ସୋସିଆଲ ମିଡ଼ିଆ

 ସୋସିଆଲ ମିଡ଼ିଆ ସମୀକ୍ଷା

ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ସଙ୍ଗେ ବିଭିନ୍ନ ସୋସିଆଲ ମିଡ଼ିଆ ସାମାଜିକ, ରାଜନୀତିକ ଓ ଅର୍ଥନୀତିକ ଚର୍ଚ୍ଚାର ମଞ୍ଚ ପାଲଟୁଥିବା ଅବସରରେ କେନ୍ଦ୍ର ସରକାରଙ୍କ ସୂଚ଼ନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରବ୍ୟାପୀ ସୋସିଆଲ ମିଡ଼ିଆ ସମୀକ୍ଷା କରିବାରେ ସହାୟତା ନିମନ୍ତେ ବୈଷୟିକ ଦକ୍ଷତା ସମ୍ପନ୍ନ ଘରୋଇ ଉଦ୍ୟୋଗ ଚ଼ିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ।


 

ମନ୍ତ୍ରଣାଳୟ ଅଧୀନସ୍ଥ‘ପ୍ରେସ ଇଫରମେସନ ବ୍ୟୁରୋ’ ପକ୍ଷରୁ ବିଭିନ୍ନ ଭାଷାରେ ଦେଶର ଘଟଣା ପ୍ରବାହ ସଂପର୍କରେ ମୁଦ୍ରିତ ସମ୍ୱାଦପତ୍ରରେ ପ୍ରକାଶିତ ସମ୍ୱାଦ ଓ ଅଭିମତ ନିୟମିତ ସମୀକ୍ଷା କରାଯାଇଥାଏ । ତେବେ ସୋସିଆଲ ମିଡ଼ିଆର ଅଭ୍ୟୁଦୟ ପରବର୍ତ୍ତୀ ଅବସ୍ଥାରେ ସମ୍ୱାଦ ଓ ଅଭିମତ ପ୍ରକାଶନରେ ବିପୁଳ ସଂଖ୍ୟକ ନାଗରିକଙ୍କ ସଂପୃକ୍ତି ହେତୁ ଅନଲାଇନ ପରିବେଶରେ ଅନୁରୂପ ସମୀକ୍ଷା ଏହାର ବିସ୍ତୃତି, କାର୍ଯ୍ୟଭାର ଓ ବୈଷୟିକ ଦକ୍ଷତା ଅଭାବ କାରଣରୁ ସଂଭବପର ହୋଇପାରୁ ନାହିଁ । ଏଥି ନିମନ୍ତେ ଉନ୍ନତ ବୈଷୟିକ କୌଶଳ ଉପଯୋଗ ଆବଶ୍ୟକତା ଥିବା ହେତୁ ସରକାରଙ୍କ ପକ୍ଷରୁ ଏହି ଦାୟିତ୍ୱ ଠିକା ଭିତ୍ତିରେ କୌଣସି ଦକ୍ଷ ଘରୋଇ ସଂସ୍ଥାକୁ ପ୍ରଦାନ କରିବା ନିମନ୍ତେ ନୀତିଗତଭାବେ ପ୍ରସ୍ତାବ ଗୃହୀତ ହୋଇଥିଲା ।


 

ମନ୍ତ୍ରଣାଳୟ ଅଧୀନସ୍ଥ ପବ୍ଳିକ ସେକ୍ଟର ସଂଗଠନ ‘ବ୍ରଡ଼କାଷ୍ଟ ଇଞ୍ଜିନିୟରିଂ କନସଲଟାଣ୍ଟସ ଇଣ୍ଡିଆ ଲିମିଟେଡ଼’ ୨୦୧୮ ମେ’ ମାସରେ ଏହି ଦାୟିତ୍ୱ ନିର୍ବାହ ନିମନ୍ତେ ବୈଷୟିକ କୌଶଳ ପ୍ରସ୍ତୁତି ତଥା ପରିଚ଼ାଳନା ନିମନ୍ତେ ଟେଣ୍ଡର ପ୍ରକାଶ କରିଥିଲା । ଦେଶରେ ଲୋକପ୍ରିୟ ଫେସବୁକ୍, ଟୁଇଟର, ୟୁ-ଟ୍ୟୁବ, ଇନଷ୍ଟ୍ରାଗ୍ରାମ, ଗୁଗୁଲ, ଲିଙ୍କଡ଼-ଇନ, ଫ୍ଳିକ୍ସ, ଟମ୍ବଲର, ପ୍ରିଣ୍ଟଷ୍ଟାର୍ଟଓ ପ୍ଳେ-ଷ୍ଟୋର ଭଳି ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଚର୍ଚ୍ଚିତ ପ୍ରସଙ୍ଗ ତଥା ଚର୍ଚ୍ଚାରେ ଭାଗ ନେଉଥିବା ବ୍ୟକ୍ତିବିଶେଷଙ୍କ ଅଭିମତ ଚ଼ିହ୍ନଟ ଓ ସଂକଳନ କରି ନିୟମିତଭାବେ ମନ୍ତ୍ରଣାଳୟକୁ ଅବଗତ କରାଇବା ଦାୟିତ୍ୱ ଠିକା ଦିଆଯିବା ସ୍ଥିରୀକୃତ ହୋଇଥିଲା ।


 

ଏହି କାର୍ଯ୍ୟକ୍ରମ ପ୍ରଯୋଜନା ନିମନ୍ତେ ଅନ୍ୟୂନ ୨୦ ଜଣ ସୋସିଆଲ ମିଡ଼ିଆ ସମୀକ୍ଷକ ନିଯୁକ୍ତି କରାଯାଇ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧିଷ୍ଟ ଘଟଣାକ୍ରମ ସଂପର୍କରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିବରଣୀ ପ୍ରସ୍ତୁତ କରିବା ସାଙ୍ଗକୁ ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ପ୍ରୟୋଗରେ ସୋସିଆଲ ମିଡ଼ିଆ ପ୍ରଭାବଜନିତଟେଲିଭିଜନରେ ସମ୍ୱାଦ ପ୍ରସାରଣର ସମ୍ଭାବ୍ୟ ଶିରୋନାମା ଆକଳନ କରିବାଭଳି ଦାୟିତ୍ୱ ମଧ୍ୟ ବିଜ୍ଞପ୍ତିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ରାଷ୍ଟ୍ରର ଆଭ୍ୟନ୍ତରୀଣ ଓ ବୈଦେଶିକ ଭାବମୂର୍ତ୍ତୀରେ ସକାରତ୍ମକ ଅଭିବୃଦ୍ଧି ନିମନ୍ତେ ସୋସିଆଲ ମିଡ଼ିଆର ଉପଯୋଗ ନିମନ୍ତେ ପରାମର୍ଶ ଗ୍ରହଣର ମଧ୍ୟ ପ୍ରାବଧାନ ରହିଥିଲା ।


 

ମୋଟ ଉପରେ କହିବାକୁ ଗଲେ ମୁଦ୍ରିତ ଗଣମାଧ୍ୟମର ସମୀକ୍ଷା ନିମନ୍ତେ ’ପ୍ରେସ ଇନଫରମେସନ ବ୍ୟୁରୋ’ ଓ କେନ୍ଦ୍ର ସରକାରଙ୍କ ଇଣ୍ଟଲିଜେନ୍ସ ଡ଼ିପାର୍ଟମେଣ୍ଟ ଯାହା କରୁଛନ୍ତି ତାହା ଉନ୍ନତ ବୈଷୟିକ କୌଶଳ ଉପଯୋଗରେ ସୋସିଆଲ ମିଡ଼ିଆ ମଞ୍ଚରେ ଘରୋଇ ଉଦ୍ୟୋଗ ମାଧ୍ୟମରେ ଠିକାରେ ହାସଲ କରାଇବା ନିମନ୍ତେ ଉଦ୍ୟମ କରାଯାଇଥିଲା । ବିଜ୍ଞପ୍ତି ମୁତାବକ ୨୦୧୮ ଅଗଷ୍ଟ ୨୦ ତାରିଖରେ ଟେଣ୍ଡର ଖୋଲାଯାଇ ବିଧିବଦ୍ଧ ଭାବେ ସେବା ପ୍ରଦାନକାରୀ ଚ଼ୟନ କରାଯାଇଥାନ୍ତା ।


 

କେନ୍ଦ୍ର ସରକାରଙ୍କ ଏହି ପ୍ରୟାସ ଦେଶର ନାଗରିକଙ୍କ ସମ୍ୱିଧାନ ପ୍ରଦତ୍ତ ଧାରା ୧୯(୧)କ ଅଭିବ୍ୟକ୍ତିରେ ସ୍ୱାଧୀନତା ଓ ଧାରା ୨୧ ମୁକ୍ତ ଜୀବନ ଅଧିକାର ଅନ୍ତର୍ଗତ ବ୍ୟକ୍ତିଗତ ଗୋପନୀୟତା ଭଳି ମୌଳିକ ଅଧିକାରଗୁଡ଼ିକ ଉଲଂଘନ କରୁଥିବା ଅଭିଯୋଗ କରି ତୃଣମୂଳ କଂଗ୍ରେସର ଜନୈକା ବିଧାୟିକା ଉଚ୍ଚନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ପଶ୍ଚିମବଙ୍ଗ କରିମପୁର ବିଧାନସଭା ମଣ୍ଡଳୀର ନିର୍ବାଚ଼ିତ ବିଧାୟିକା ମହୁଆ ମୈତ୍ରଙ୍କ ଆବେଦନ ବିଚ଼ାର କରିବା ନିମନ୍ତେ ୨୦୧୮ ଜୁନ ୧୮ ତାରିଖରେ ସୁପ୍ରିମ କୋର୍ଟ ସମ୍ମତ୍ତି ଜଣାଇଥିଲେ ।


 

ତେବେ ୨୦୧୮ ଅଗଷ୍ଟ ୩ ତାରିଖରେ ମୁଖ୍ୟନ୍ୟାୟାଧୀଶ ଦୀପକ ମିଶ୍ରଙ୍କ ନେତୃତ୍ୱରେ ନ୍ୟାୟାଧୀଶ ଡ଼ି. ୱାଇ. ଚନ୍ଦ୍ରଚୂଡ଼ ଓ ନ୍ୟାୟାଧୀଶଏ.ଏମ. ଖାନୱିକରଙ୍କ ଖଣ୍ଡପୀଠରେ ଶୁଣାଣି ଆରମ୍ଭରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ସରକାର ପ୍ରସ୍ତାବିତ ସୋସିଆଲ ମିଡ଼ିଆ କମ୍ୟୁନିକେସନ ହବ ଆୟୋଜନ ପ୍ରସ୍ତାବ ପ୍ରତ୍ୟାହାର କରିନେଇଥିବା ଜଣାଇଥିଲେ । ଫଳରେ ବିଧାୟିକା ମୈତ୍ରଙ୍କ ମାମଲା ଖାରଜ କରିଦିଆଯାଇଥିଲା ।


 

ସୋସିଆଲ ମିଡ଼ିଆ ସମୀକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ଉଦ୍ୟମ ଓ ନାଟକୀୟ ମୋଡ଼ରେ ପ୍ରତ୍ୟାହାର ସମକାଳରେ ଗଣମାଧ୍ୟମ ପରିଧିରେ କେତେକ ପ୍ରଶ୍ନ ସୃଷ୍ଟି କରିଛି । ପ୍ରଥମତଃ, ସୋସିଆଲ ମିଡ଼ିଆରେ ସମ୍ୱାଦ ଓ ଅଭିମତ ସ୍ଥାନିତ ବା ‘ପୋଷ୍ଟ’ କରିବା ଯଦି ଆଇନତଃ ପ୍ରକାଶନ ତଥା ପାରମ୍ପରିକ ମୁଦ୍ରିତ ପ୍ରକାଶନ ସହ ତୁଳନୀୟ, ତେବେ ସେଭଳି ପ୍ରକାଶନଗୁଡ଼ିକ ସାଧାରଣ ନାଗରିକ ହୁଅନ୍ତୁ ବା ସରକାର ସମୀକ୍ଷା କରିବାରେ ଭୂଲ ରହିଲା କେଉଁଠି ? ଦ୍ୱିତୀୟତଃ, ପ୍ରକାଶିତ ସମ୍ୱାଦ ଆଧାରରେ ଅଭିମତ ରଚ଼ନାରେ ଯଦି ସାମ୍ଭାବ୍ୟ ଫଳାଫଳ ଆକଳନ ସ୍ୱାଭାବିକ ପ୍ରକ୍ରିୟା ତେବେ ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଭଳି ଉନ୍ନତ ବୈଷୟିକ କୌଶଳ ଉପଯୋଗରେ ସୋସିଆଲ ମିଡ଼ିଆ ପ୍ରକାଶନ ଅନୁଶୀଳନରେ ସାମ୍ଭାବ୍ୟ ଫଳାଫଳ ଆକଳନରେ ଅସୁବିଧା ରହିଲା କେଉଁଠି ? ତୃତୀୟତଃ, ‘ପ୍ରେସ ଇନଫରମେସନ ବ୍ୟୁରୋ’ ବା ଇଣ୍ଟଲିଜେନ୍ସ ଡ଼ିପାର୍ଟମେଣ୍ଟର ନିଯୁକ୍ତ ସରକାରୀ କର୍ମଚ଼ାରୀ ସମ୍ୱାଦ, ଅଭିମତ ଓ ଲୋକମତ ଯେଉଁ ଆକଳନ ବିବରଣୀ ସରକାରୀ କଳର ବ୍ୟବହାରଲାଗି ଯୋଗାଇ ଦେଇ ଆସୁଛନ୍ତି ସେହି ଦାୟିତ୍ୱ ଘରୋଇ ଉଦ୍ୟୋଗକୁ ଠିକାରେ ଦିଆଯିବା ଦୋଷାବହ କି ?


 

ବଜାର ବିପ୍ପଣୀରେ ଗ୍ରାହକଙ୍କ ଆଗ୍ରହକୁ ପରଖି ଦୋକାନୀ ମୂଲଚ଼ାଲ କରିଥାଏ । ସୋସିଆଲ ମିଡ଼ିଆରେ ଉପଭୋକ୍ତାଙ୍କ ରୁଚ଼ିକୁ ପରଖି ମଞ୍ଚ ଆୟୋଜକ ବିଜ୍ଞାପନ ପ୍ରକାଶନ କରିଥାନ୍ତି । ଚର୍ଚ୍ଚିତ ଲୋକମତ ସଂପର୍କରେ ତଥ୍ୟ ସଂଗ୍ରହ କରି ସରକାର ପ୍ରଶାସନରେ ଉପଯୋଗକୁ ବିରୋଧ କରାଯିବା ଗ୍ରହଣୀୟ କି ? ଗଣତନ୍ତ୍ରରେ ଜନସାଧାରଣଙ୍କ ରୁଚ଼ି ଅନୁଯାୟୀ ପ୍ରଶାସନିକ ନୀତି ନିର୍ଦ୍ଧାରଣ କରିବା ଯୁକ୍ତିଯୁକ୍ତ । ପରିବର୍ତ୍ତିତ ପରିବେଶରେ ସୋସିଆଲ ମିଡ଼ିଆ ବହୁ ନାଗରିକଙ୍କ ଅଭିବ୍ୟକ୍ତିର ମଞ୍ଚରୂପେ ପ୍ରବର୍ତ୍ତିତ ହୋଇଥିବା ଅବସରରେ ସୋସିଆଲ ମିଡ଼ିଆ ତର୍ଜମା କରିବା ସୁଯୋଗରୁ ସରକାର ବିରତ ରହିବା ଉଚ଼ିତ କି ?


 

ନାଗରିକ ହୁଅନ୍ତୁ ବା ସରକାର, ଗଣମାଧ୍ୟମ ଉପଯୋଗରେ ସ୍ୱାଧୀନତା ଓ ଯୁକ୍ତିଯୁକ୍ତତା ସମସ୍ତଙ୍କ ପାଇଁ ସମାନ ରହିବା ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥାର ଅଂଶବିଶେଷ । ଗଣତନ୍ତ୍ରର ଭିତ୍ତିଭୂମି ବିକାଶରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ହେତୁ ଏହାର ବ୍ୟବହାରରେ ଅଙ୍କୁଶ ପ୍ରକାରନ୍ତେ ବ୍ୟାପକ ଅବ୍ୟବସ୍ଥାର କାରଣ ପାଲଟିବା ସମ୍ଭବ ।


 

ସୋସିଆଲ ମିଡ଼ିଆ କମ୍ୟୁନିକେସନ ହବ ଆୟୋଜନରୁ ସରକାର ସାମୟିକଭାବେ ହଟିଯିବାର ଅନ୍ୟାନ୍ୟ କାରଣ ମଧ୍ୟରେ ଜାତୀୟ ସୋସିଆଲ ମିଡ଼ିଆ ନୀତି ନିର୍ଦ୍ଧାରଣ ନିମନ୍ତେ ଉଦ୍ୟମ ଚ଼ାଲିଥିବା ତଥା ସୂଚ଼ନା ଓ ପ୍ରଯୁକ୍ତି କ୍ଷେତ୍ରରେ ନାଗରିକଙ୍କ ଗୋପନୀୟତା ଅନୁଶୀଳନ ଶ୍ରୀକୃଷ୍ଣ କମିସନଙ୍କ ବିଚ଼ରାଧୀନଥିବା ଅବସରରେ ହୁଏତ ତରବରିଆ ଭାବେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେବାଲାଗି ଉଚ଼ିତ ମନେ କଲେ ନାହିଁ । ସର୍ବୋପରି ଅଭିବ୍ୟକ୍ତି ଓ ଗୋପନୀୟତାଭଳି ସ୍ପର୍ଶକାତର ପ୍ରସଙ୍ଗ ସର୍ବସାଧାରଣରେ ଚର୍ଚ୍ଚା ତଥା ଅଦାଲତଙ୍କ ହସ୍ତକ୍ଷେପ ଏଡ଼ାଇଦେବା ପାଇଁ ସ୍ଥିତାବସ୍ଥା ବଜାୟ ରଖିବା ମଧ୍ୟମ ପନ୍ଥାରୂପେ ବାଛିନେଲେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅଗଷ୍ଟ ୨୦୧


ତଥ୍ୟ:


 

Mahapatra, Dhananjay. SC to hear PIL against social media hub.The Times of India.(Bhubaneswar Edition). June 10, 2018


 

Mahapatra, Dhananjay. Centre drops social media hub plan after snoop charge. The Times of India.(Bhubaneswar Edition). August 4, 2018


 

Social Media hub plan dropped. The Hindu (Cuttack Edition) August 4, 2018


 

Govt. withdraws social media hub policy : AG.Business Standard (Bhubaneswar Edition). August 4/5, 2018

ସୋସିଆଲ ମିଡ଼ିଆରେ ସଂପୃକ୍ତି

ଇଣ୍ଟରନେଟ ମଞ୍ଚରେ ସାଧାରଣ ଉପଭୋକ୍ତାଙ୍କୁ ନିଜ ପ୍ରିୟ ଓ ପରିଚ଼ିତ ବ୍ୟକ୍ତି କିମ୍ୱା ଗୋଷ୍ଠୀ ସହ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ‘ଟେକ୍ସଟ, ଅଡ଼ିଓ, ଭିଡ଼ିଓ’ ମାଧ୍ୟମରେ ଭାବଗତ ସଂଯୋଗ ସ୍ଥାପନ ପ୍ରକ୍ରିୟାକୁ ସାମାଜିକ ଗଣମାଧ୍ୟମ ‘ସୋସିଆଲ ମିଡ଼ିଆ’ ବୁଝାଯାଇଥାଏ । ଏହା ଦେୟମୁକ୍ତ ସେବା ହିସାବରେ ବିଂଶ ଶତାଦ୍ଦୀର ଶେଷ ଦଶକରୁ ବିକଶିତ ହୋଇ ଆସିଛି । ବହୁଳ ଚର୍ଚ୍ଚିତ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ମଧ୍ୟରେ ଜିଓସିଟିସ (୧୯୯୪), କ୍ଳାସମେଟସ (୧୯୯୫) ଓ ସିକ୍ସ ଡ଼ିଗ୍ରୀସ (୧୯୯୭) ପ୍ରାରମ୍ଭିକ ପର୍ଯ୍ୟାୟରେ ସାର୍ବଜନୀନ ଯୋଗାଯୋଗ କ୍ଷେତ୍ରରେ ନୂତନ ଧାରା ‘ଟ୍ରେଣ୍ଡ’ ପ୍ରଚଳନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକରେ ଲିଙ୍କଡ଼ଇନ (୨୦୦୩), ଓର୍କୁଟ (୨୦୦୪), ଫେସବୁକ (୨୦୦୪), ୟୁଟ୍ୟୁବ (୨୦୦୫), ଟୁଇଟର (୨୦୦୬), ଟମ୍ୱଲର (୨୦୦୭) ଓ ଇନଷ୍ଟାଗ୍ରାମ (୨୦୧୦) ଇତ୍ୟାଦି ଟ୍ରେଣ୍ଡର ଆନ୍ତର୍ଜାତିକସ୍ତରରେ ପରିବ୍ୟାପ୍ତରେ ସମର୍ଥ ହୋଇଥିଲେ ।


 

ଅନ୍ୟୂନ ଦଶ କୋଟି ପଞ୍ଜୀକୃତ ଉପଭୋକ୍ତାକୁ ନେଇ ଗଢ଼ି ଉଠିଥିବା ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ମଧ୍ୟରେ ଫେସବୁକ, ଟିକଟକ, ଉଇଚାଟ, ଇନଷ୍ଟାଗ୍ରାମ, କ୍ୟୂଜୋନ, ୱିବୋ, ଟୁଇଟର, ଟମ୍ୱଲର, ବାଇଦୁ ଓ ଲିଙ୍କଡ଼ଇନ ଇତ୍ୟାଦିର ନାମ ସର୍ବାଗ୍ରେ ସ୍ଥାନିତ । ସେହିପରି ମେସେଞ୍ଜର ଓ ଷ୍ଟ୍ରୀମିଂ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ମଧ୍ୟରେ ୟୁଟ୍ୟୁବ, ମେସେଞ୍ଜର, କ୍ୟୂକ୍ୟୂ, କ୍ୱାରା, ଟେଲିଗ୍ରାମ, ହ୍ୱାଟସଆପ, ଲାଇନ, ସ୍ନାପଚାଟ, ପ୍ରିଣ୍ଟରେଷ୍ଟ, ଭାଇବର, ରିଡ଼ିଟ, ଡିସକର୍ଡ, ଭିକେ, ମାଇକ୍ରୋସଫ୍ଟ ଟିମସ ଓ ୱିକିସ ଇତ୍ୟାଦି ପ୍ରଧାନ ।


 

ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭରେ ବିଶ୍ୱବ୍ୟାପୀ ସୋସିଆଲ ମିଡ଼ିଆ ପାରମ୍ପରିକ ଗଣମାଧ୍ୟମର ମୁଖ୍ୟ ପ୍ରତିଦ୍ୱନ୍ଦୀଭାବେ ଦଣ୍ଡାୟମାନ ହୋଇଛି । ଏକ ହିସାବ ଅନୁଯାୟୀ ଜୁଲାଇ ୨୦୨୦ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ୫୧ ପ୍ରତିଶତ ଜନସାଧାରଣ ସୋସିଆଲ ମିଡ଼ିଆ ମଞ୍ଚ ଗୁଡ଼ିକରେ ଉପନୀତ ହୋଇଥିଲେ । ପୂର୍ବ-ଏସୀୟ ରାଷ୍ଟ୍ରଗୁଡ଼ିକରେ ୭୧ ପ୍ରତିଶତ ସୋସିଆଲ ମିଡ଼ିଆ ଉପଭୋକ୍ତା ଭାବେ ସାମିଲ ହୋଇଥିବା ସ୍ଥଳେ ଉତ୍ତର ଆମେରିକାରେ ୬୯ ପ୍ରତିଶତ ଓ ଦକ୍ଷିଣ ଆମେରିକାରେ ୬୮ ପ୍ରତିଶତ । ସର୍ବାଧିକ ଲୋକପ୍ରିୟ ମଞ୍ଚ ଫେସବୁକରେ ୨୪୦ କୋଟି ପଞ୍ଜୀକୃତ ।


 

କେତେକ ବିଶ୍ଳେଷକଙ୍କ ମତରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଅଂଶଗ୍ରହଣ କରିବା ନିମନ୍ତେ ଉପଭୋକ୍ତାଙ୍କ ବୟସ ସର୍ବନିମ୍ନ ୧୩ ବର୍ଷ ନିର୍ଦ୍ଧାରିତ ହୋଇଥିବା ହେତୁ ବିଶ୍ୱ ଜନସଂଖ୍ୟାରୁ ୧୩ ବର୍ଷରୁ କମ ବୟସ୍କଙ୍କୁ ବାଦ ଦେଲେ ୧୩ ବର୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟାର ପ୍ରାୟ ୬୫ ପ୍ରତିଶତ ସୋସିଆଲ ମିଡ଼ିଆର ଉପଭୋକ୍ତା । ସେମାନଙ୍କ ସଂଖ୍ୟା ଗତ କିଛି ବର୍ଷରୁ ବାର୍ଷିକଭିତ୍ତିରେ ୧୦ ପ୍ରତିଶତ ବୃଦ୍ଧି ପାଇଚାଲିଛି । ଦୈନିକ ଦଶ ଲକ୍ଷରୁ ଉର୍ଦ୍ଧ୍ୱ ନୂତନ ଉପଭୋକ୍ତା ଯୋଗ ଦେଉଛନ୍ତି ।


 

ଗବେଷଣାଲବ୍ଧ ହିସାବ ଅନୁଯାୟୀ ୨୦୧୯ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ଉପଭୋକ୍ତା ହାରାହାରି ଦୁଇଘଣ୍ଟା ୨୪ ମିନିଟ ସୋସିଆଲ ମିଡ଼ିଆ ବ୍ୟବହାର କରୁଥିଲେ । ଏହି ହାର ୨୦୧୮ରେ ୨ ଘଣ୍ଟା ୨୨ ମିନଟ ରହିଥିଲା । ସର୍ବାଧିକ ଫିଲିପାଇନ୍ସରେ ବ୍ୟବହାର ସମୟସୀମା ତିନିଘଣ୍ଟା ୫୩ ମିନଟ ଥିବା ଜଣାଯାଇଥିଲା । ସୋସିଆଲ ମିଡ଼ିଆ ପ୍ରସାର ଲାଭ କାଳରେ ପ୍ରଥମେ ଯୁବବର୍ଗ ଅଧିକ ପରିମାଣରେ ବ୍ୟବହାର କରୁଥିବା ସ୍ଥଳେ କ୍ରମଶଃ ବୟସ୍କମାନେ ମଧ୍ୟ ସାମିଲ ହୋଇଛନ୍ତି । ଯୁବବର୍ଗରେ ୧୬ରୁ ୨୯ ବର୍ଷ ବୟସ୍କ ହାରାହାରି ଦୈନିକ ତିନିଘଣ୍ଟା ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବା ବେଳେ ୪୫ ରୁ ୫୪ ବର୍ଷ ବୟସ୍କମାନଙ୍କ କ୍ଷେତ୍ରରେ ଏକ ଘଣ୍ଟା ୩୯ ମିନଟ ।


 

ଉପଭୋକ୍ତାଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ବ୍ୟବହାର ମୁଖ୍ୟତଃ କୌତୁହଳ ଉଦ୍ଦୀପକ ଓ ମନୋରଞ୍ଜନଧର୍ମୀ ଟେକ୍ସଟ, ଅଡ଼ିଓ ଓ ଭିଡ଼ିଓ ପ୍ରକାଶନ ଓ ଆହରଣରେ ପର୍ଯ୍ୟବସିତ । ପ୍ରକାଶିତ ବିଷୟବସ୍ତୁକୁ ପସନ୍ଦ ‘ଲାଇକ’, ମନ୍ତବ୍ୟ ପ୍ରଦାନ ‘କମେଣ୍ଟ’ ଓ ନିଜ ବନ୍ଧୁମାନଙ୍କ ଗହଣରେ ବିତରଣ ‘ସେୟାର’ ଫେସବୁକ ଭଳି ମଞ୍ଚରେ ଗୁରୁତ୍ୱ ହାସଲ କରିଥାଏ । ସେହିପରି ହ୍ୱାଟସଆପରେ ଗୋପନୀୟତା ରକ୍ଷାକରି ପାଠ୍ୟ, ଅଡ଼ିଓ ଓ ଭିଡ଼ିଓ ବିତରଣ ସଂଭବପର । ୟୁଟ୍ୟୁବ ମଞ୍ଚରେ ଭିଡ଼ିଓ ପ୍ରକାଶରେ ସାର୍ବଜନୀନ ପ୍ରଦର୍ଶନର ସୁଯୋଗ ସୃଷ୍ଟି ହୋଇଥାଏ । ବନ୍ଧୁବର୍ଗଙ୍କ ଗହଣରେ ସମୟ ବିତାଇବା ନିମନ୍ତେ ସୋସିଆଲ ମିଡ଼ିଆ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରୁଥିବା ହେତୁ ୪୦ ପ୍ରତିଶତ ଯାଏଁ ଉପଭୋକ୍ତା ଆକର୍ଷିତ ହୋଇଥାନ୍ତି ।


 

ଏକପକ୍ଷରେ ସୋସିଆଲ ମିଡ଼ିଆରେ ସଂପୃକ୍ତି ଅଭିବ୍ୟକ୍ତିରେ ସ୍ୱାଧୀନତା ବୃଦ୍ଧି ଘଟିଥିବା ସ୍ଥଳେ ଅପରପକ୍ଷରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ହ୍ରାସ ଓ ନିର୍ଦ୍ଦିଷ୍ଟ ମତବାଦ, ରାଜନୀତିକ ଆଦର୍ଶ ପ୍ରତି ଅନୁଗତ୍ୟ ବୃଦ୍ଧି ଘଟୁଥିବା ବିଭିନ୍ନ ଗବେଷଣାରୁ ଜଣାଯାଏ । ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଦୀର୍ଘ ସମୟ ବିନିଯୋଗ କାରଣରୁ ଦୈନନ୍ଦିନ ଜୀବନଯାତ୍ରା ବିଶୃଙ୍ଖଳିତ ହୋଇ ପଡୁଥିବା ଅଭିଯୋଗ ମଧ୍ୟ ହୁଏ ।


 

ସୋସିଆଲ ମିଡ଼ିଆର ଲୋକପ୍ରିୟତା ବୃଦ୍ଧିରେ ମୋବାଇଲ ଓ କ୍ୟାମରା ଫୋନର ଯୋଗଦାନକୁ ସଭିଏଁ ସ୍ୱୀକାର କରନ୍ତି । ସ୍ମାର୍ଟଫୋନ ୧୯୯୬ରେ ପ୍ରଚଳିତ ହେବା ଦିନୁ ଇଣ୍ଟରନେଟ ବ୍ୟବହାର ନିମନ୍ତେ ଡ଼େସ୍କଟପ ବଦଳରେ ସ୍ମାର୍ଟଫୋନକୁ ବହୁ ସଂଖ୍ୟକ ପସନ୍ଦ କଲେ । ବିଗତ ଚ଼ଉଠ ଶତାଦ୍ଦୀ ମଧ୍ୟରେ ଡ଼େସ୍କଟପ, ଲ୍ୟାପଟପ, ଟେବଲଟର ବ୍ୟବହାର ସତ୍ତ୍ୱେ ମୋବାଇଲ ସ୍ମାର୍ଟଫୋନକୁ ସବୁବର୍ଗର ଉପଭୋକ୍ତା ଆଦରି ନେଇଥାନ୍ତି । କୁହାଯାଏ ଯେ ଆନ୍ତର୍ଜାତିକସ୍ତରରେ ୮୦ ପ୍ରତିଶତ ଇଣ୍ଟରନେଟ ସେବା ମୋବାଇଲ ସ୍ମାର୍ଟଫୋନକୁ ମାଧ୍ୟମରୂପେ ଗ୍ରହଣ କରାଯାଇଥାଏ । ସେହିପରି ସ୍ମାର୍ଟଫୋନରେ କ୍ୟାମରା ଖଚ଼ିତ ହେବା ଯୋଗୁଁ ସୋସିଆଲ ମିଡ଼ିଆରେ ଫୋଟ ଓ ଭିଡ଼ିଓ ପ୍ରସାରଣ ସରଳ ଓ ସହଜସାଧ୍ୟ ହୋଇପାରିଲା ।


 

ପ୍ରତ୍ୟେକ ସ୍ମାର୍ଟଫୋନ ଉପଭୋକ୍ତା ଦୈନିକ ହାରାହାରି ୨,୬୧୭ ଥର ଫୋନ ସ୍କ୍ରିନକୁ ସ୍ପର୍ଶ କରିଥାନ୍ତି । ଅତିଶୟ ବ୍ୟବହାରକାରୀମାନଙ୍କ କ୍ଷେତ୍ରରେ ୫,୪୨୭ ଥର ଯାଏଁ ସ୍ପର୍ଶ ବୃଦ୍ଧି ପାଇଥାଏ । ଜଣକା ୧୫୦ ଥର ଯାଏଁ ମୋବାଇଲ ଯୋଗେ ବିଭିନ୍ନ କାର୍ଯ୍ୟ ‘ମୋବାଇଲ ସେସନ’ରେ ସଂପୃକ୍ତ ହୋଇଥାନ୍ତି । ସେହିପରି ସ୍ମାର୍ଟଫୋନର ସ୍କ୍ରିନରେ ଆଙ୍ଗୁଠି ଅତିକମରେ ୩୦୦ ଫୁଟ ଯାଏଁ ଚଳନ ‘ସ୍କ୍ରୋଲିଂ’ କରାଯାଇଥାଏ । ମାର୍କିନ ପରିସଂଖ୍ୟାନ ସଂସ୍ଥା ‘ଷ୍ଟାଟିଷ୍ଟା’ର ହିସାବ ଅନୁଯାୟୀ ଭାରତରେ ସୋସିଆଲ ମିଡ଼ିଆ ଉପଭୋକ୍ତାଙ୍କ ସଂଖ୍ୟା ୨୦୨୦ରେ ୩୭ କୋଟି ୬୧ ଲକ୍ଷ ଥିବା ସ୍ଥଳେ ୨୦୨୧ରେ ପ୍ରାୟ ୪୦ କୋଟିକୁ ବୃଦ୍ଧି ପାଇବା ଆକଳନ କରାଯାଇଥିଲା । ଅର୍ଥାତ ପ୍ରାୟ ୩୦ ପ୍ରତିଶତ ଜନସଂଖ୍ୟା ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ସଂପୃକ୍ତ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଫେବୃୟାରୀ ୨୦୨୧


ତଥ୍ୟ:


 

Tankovaska, H. Daily social media usage worldwide 2012-2019. Statista. Jan 28, 2021.

 

https://www.statista.com/statistics/433871/daily-social-media-usage-worldwide/

ସାମାଜିକ ଗଣମାଧ୍ୟମର ମାଦକତା

ମାନବ ସଭ୍ୟତାର ଇତିହାସରେ ଭୌଗଳିକ ସୀମାରେ ଉପସ୍ଥିତି ବିନା ବହୁସଂଖ୍ୟକ ଲୋକଙ୍କ ମଧ୍ୟରେ ବାସ୍ତବ ସମୟରେ ପାଠ୍ୟ ଓ ଦୃଶ୍ୟ ବିନିମୟ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମ ଏକ ନୂତନ ପରମ୍ପରା ସୃଷ୍ଟି କରିଛି । ଚ଼ିତ୍ର, ଲିପି, ମୁଦ୍ରଣ, ଟେଲିଫୋନ ଓ ଟେଲିଭିଜନ ମାଧ୍ୟମରେ ଯୋଗାଯୋଗ ନିମନ୍ତେ ଉପଲବ୍ଧ ସୀମିତ ସୁବିଧା ସୁଯୋଗ ପରବର୍ତ୍ତୀ ଉଦ୍ଭାବନରେ ସୁବିସ୍ତୃତ ହୋଇପାରିଛି । ଭର୍ଚୁଆଲ ରିଆଲିଟି ଓ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଭଳି ପ୍ରଯୁକ୍ତି କୌଶଳ ଉପଯୋଗ ନିକଟ ଭବିଷ୍ୟତରେ ମାନବୀୟ ଯୋଗାଯୋଗ ଜୀବନର ସଂଜ୍ଞା ବଦଳାଇ ଦେବାରେ ସମର୍ଥ ହୋଇପାରିବ ବୋଲି ଦୂରଦ୍ରଷ୍ଟାମାନେ ଦାବୀ କରୁଛନ୍ତି ।


 

ଏ ଯାଏଁ ସାମାଜିକ ବା ବୃତ୍ତିଗତ ଜୀବନରେ ଅପର ସହ ସଂପର୍କ ଯୋଡ଼ିବା ନିମନ୍ତେ ବ୍ୟକ୍ତିଗତସ୍ତରରେ ଯେଉଁ ଉଦ୍ୟମ ଆବଶ୍ୟକ ପଡୁଥିଲା ତାହା କ୍ରମଶଃ ଯାନ୍ତ୍ରିକ ସହାୟତାରେ ସମ୍ଭବପର ହୋଇପାରୁଛି । ଉଦାହରଣ ସ୍ୱରୂପ ଫେସବୁକ ତାହାର ଉପଭୋକ୍ତାଙ୍କୁ ଭୂଲି ଆସିଥିବା ବନ୍ଧୁଙ୍କୁ ପୁନଃ ପରିଚ଼ିତ କରାଉଥିବାବେଳେ ଲିଙ୍କଡ଼-ଇନ ଜଣେ କେଉଁଭଳି କର୍ମନିଯୁକ୍ତି ପାଇଁ ଉପଯୁକ୍ତ ସେ ସଂପର୍କରେ ପରାମର୍ଶ ଉଭୟ ପ୍ରାର୍ଥୀ ଓ ନିଯୁକ୍ତିଦାତାଙ୍କୁ ଜଣାଇପାରୁଛି । ଅନେକ ଆପ୍ଲିକେସନ ବା ‘ଆପ’ ଏହାର ଉପଭୋକ୍ତାଙ୍କ ଡ଼ିଜିଟାଲ ଜୀବନ ଅର୍ଥାତ ଇଣ୍ଟରନେଟରେ ସେମାନେ କିଭଳି ପାଠ୍ୟ ଓ ଦୃଶ୍ୟ ଖୋଜୁଛନ୍ତି ଓ ଦେଖୁଛନ୍ତି ତାହାରି ଆଧାରରେ ଦ୍ରବ୍ୟ ଓ ସେବାପ୍ରାପ୍ତିର ଉତ୍ସ ସଂପର୍କରେ ବିଜ୍ଞାପିତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ବିକଶିତ ଇ-ବାଣିଜ୍ୟ ସାଙ୍ଗକୁ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଶାସନ ଇତ୍ୟାଦି କ୍ଷେତ୍ରରେ ଏଭଳି ଧାରାର ଉପଯୋଗ ନିକଟ ଭବିଷ୍ୟତରେ ବାସ୍ତବତାରୂପେ ଧରି ନିଆଯାଇ ପାରେ ।


 

ସମକାଳରେ ଇଣ୍ଟରନେଟର ବ୍ୟାପ୍ତି ସାମାଜିକ ଗଣମାଧ୍ୟମର ଲୋକପ୍ରିୟତାରେ ପର୍ଯ୍ୟବସିତ ହୋଇଛି ଏବଂ ଇଣ୍ଟରନେଟରେ ସାମାଜିକ ଗଣମାଧ୍ୟମ ମଞ୍ଚରେ ଉପସ୍ଥିତି ନିମନ୍ତେ ଉପଭୋକ୍ତାମାନେ ସ୍ମାର୍ଟଫୋନ ବହୁଳଭାବେ ବ୍ୟବହାର କରୁଛନ୍ତି । ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ ଓ ସ୍ମାର୍ଟଫୋନ ଉପଯୋଗ କ୍ରମଶଃ ଏକ ରକମ ମାଦକତାରେ ପରିବର୍ତ୍ତିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏଭଳି ଯୁକ୍ତିର ସତ୍ୟାସତ୍ୟ ପରୀକ୍ଷା ନିମନ୍ତେ ବହୁ ଗବେଷଣା କାର୍ଯ୍ୟକ୍ଷମ ଥିବାସ୍ଥଳେ ପ୍ରାଥମିକ ପର୍ଯ୍ୟାୟର ହାତଗଣତି ଗବେଷଣା ସ୍ମାର୍ଟଫୋନ ଓ ସାମାଜିକ ଗଣମାଧ୍ୟମ ବ୍ୟବହାରରେ ମାଦକତା ଉପାଦାନକୁ ପରୋକ୍ଷରେ ସୂଚ଼ିତ କରାଇଛି ।


 

ମନୋବିଜ୍ଞାନୀ ଡ଼ାରିଆ କୁଶ ଓ ମାର୍କ ଗ୍ରିଫିଥସ ୨୦୧୧ରେ ପ୍ରକାଶିତ ଗବେଷଣା ନିବନ୍ଧରେ ସାମାଜିକ ଗଣମାଧ୍ୟମ ବ୍ୟବହାରର କେତେକ ନକାରତ୍ମକ ପ୍ରଭାବ ଜଣାଇଥିଲେ । ତାଙ୍କରି ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ସାମାଜିକ ଗଣମାଧ୍ୟମ ବହୁଳ ବ୍ୟବହାରକାରୀ ଉପଭୋକ୍ତାଙ୍କୁ ସାମାଜିକ ବାସ୍ତବତାରୁ ଦୂରେଇ ଦେଇଥାଏ, ଆତ୍ମୀୟସ୍ୱଜନ ଓ ବନ୍ଧୁବର୍ଗଙ୍କ ମଧ୍ୟରେ ସଂପର୍କକୁ ଶୀଥିଳ କରିପକାଏ, ଅଧ୍ୟୟନରେ ପାରଦର୍ଶିତା ଲାଭରେ ପ୍ରତିବନ୍ଧକ ସୃଷ୍ଟି ସାଙ୍ଗକୁ ଏକ ରକମ ନିଶାଖୋର ପରିସ୍ଥିତିକୁ ଟାଣି ନେଇଥାଏ ।


 

ପରବର୍ତ୍ତୀ ପର୍ଯ୍ୟାୟରେ ଆୟୋଜିତ ଅନେକ ଗବେଷଣାରେ ତମାଖୁ, ଅଫିମ ଭଳି ନିଶା ସେବନ ସହ ସାମାଜିକ ଗଣମାଧ୍ୟମରେ ସଂପୃକ୍ତିଗତ ଅଭ୍ୟାସର ତୁଳନା କରାଯାଇଛି । ଯୁବବର୍ଗଙ୍କ ମଧ୍ୟରେ କୌଣସି କାରଣରୁ ସ୍ମାର୍ଟଫୋନ ବ୍ୟବହାର ନିବୃତ୍ତ ଅବସ୍ଥାରେ ନିଶା ସେବନ ବନ୍ଦ ପରବର୍ତ୍ତୀ ଅପସାରଣ ଆଚ଼ରଣ ‘ଡ୍ରଗ ଉଇଥଡ୍ରଲ ସିମ୍ପଟମସ’ ଦେଖିବାକୁ ମିଳୁଥିବା ତଥ୍ୟ ସଂଗୃହୀତ ହୋଇଛି ।


 

ସ୍ମାର୍ଟଫୋନ ନିର୍ମାତା ‘ମୋଟରୋଲା’ଙ୍କ ପକ୍ଷରୁ ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ ଓ ବ୍ରାଜିଲରେ ୪,୪୧୮ ଜଣ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ନେଇ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ୨୦୧୮ ପ୍ରାରମ୍ଭରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ୬୫ ପ୍ରତିଶତ ଭାରତୀୟ ଉପଭୋକ୍ତା ନିଜ ଫୋନକୁ ସର୍ବପ୍ରଧାନ ବନ୍ଧୁ ରୂପେ ଗ୍ରହଣ କରିଥାନ୍ତି, ୪୭ ପ୍ରତିଶତ ନିଜ ଆତ୍ମୀୟଙ୍କ ତୁଳନାରେ ଫୋନକୁ ଅଧିକ ଗୁରୁତ୍ୱ ଦିଅନ୍ତି ଏବଂ ୭୭ ପ୍ରତିଶତ ଫୋନ ହଜିଗଲେ ହତବାକ ଅବସ୍ଥାକୁ ଆସି ଯାଆନ୍ତି । ଆନ୍ତର୍ଜାତିକସ୍ତରରେ ଏହିସବୁ ପର୍ଯ୍ୟାୟରେ ପରିସଂଖ୍ୟାନ ଯଥାକ୍ରମେ ୫୩ ପ୍ରତିଶତ, ୪୭ ପ୍ରତିଶତ ଓ ୬୫ ପ୍ରତିଶତ । ଅର୍ଥାତ ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ ସ୍ମାର୍ଟଫୋନର ଆକର୍ଷଣ ଅଧିକ । ସ୍ମାର୍ଟଫୋନର ବ୍ୟବହାର ଅନେକାଂଶରେ ସାମାଜିକ ଗଣମାଧ୍ୟମରେ ଉପସ୍ଥିତିକୁ ବୁଝାଇଥାଏ ।


 

ଏହି ସର୍ବେକ୍ଷଣରୁ ଆହୁରି ଜଣାଯାଇଛି ଯେ ୫୭ ପ୍ରତିଶତ ଭାରତୀୟ ସ୍ମାର୍ଟଫୋନ ଉପଭୋକ୍ତା ଅନବରତ ନିଜ ଫୋନ ତନଖି ‘ଚେକ’ କରିଥାନ୍ତି ଏବଂ ୪୮ ପ୍ରତିଶତ ସ୍ୱୀକାର କରନ୍ତି ଯେ ନିଜ ଫୋନରେ ଆବଶ୍ୟକତାଠାରୁ ଅଧିକ ସମୟ ବିନିଯୋଗ କରୁଛନ୍ତି । ଆନ୍ତର୍ଜାତିକସ୍ତରରେ ଏହି ପର୍ଯ୍ୟାୟରେ ପରିସଂଖ୍ୟାନ ଯଥାକ୍ରମେ ୪୪ ପ୍ରତିଶତ ଓ ୩୫ ପ୍ରତିଶତ ଗଣନା କରାଯାଇଛି । ଏହି ଗବେଷଣାଲବ୍ଧ ତଥ୍ୟାବଳୀମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ୬୪ ପ୍ରତିଶତ ଭାରତୀୟ ସ୍ମାର୍ଟଫୋନ ଉପଭୋକ୍ତା ନିଜ ଫୋନ ବ୍ୟବହାରଜନିତ ଅଭ୍ୟାସ ବଦଳାଇବା ନିମନ୍ତେ ବାହ୍ୟ ସହଯୋଗ ଆଶା କରୁଛନ୍ତି ।


 

୨୦୧୮ ପ୍ରାରମ୍ଭ ସୁଦ୍ଧା ଇଣ୍ଟରନେଟରେ ପ୍ରାୟ ୫୦ କୋଟି ଭାରତୀୟଙ୍କ ସଂଯୁକ୍ତି, ସେମାନଙ୍କ ମଧ୍ୟରୁ ୪୫ କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ ତଥା କେବଳ ଫେସବୁକ ମଞ୍ଚରେ ୨୫ କୋଟି ଭାରତୀୟଙ୍କ ଉପସ୍ଥିତି ସହ ୬୪ ପ୍ରତିଶତ ଉପଭୋକ୍ତା ସ୍ମାର୍ଟଫୋନ ଓ ସାମାଜିକ ଗଣମାଧ୍ୟମ ବ୍ୟବହାରଜନିତ ଅଭ୍ୟାସ ବଦଳାଇବା ନିମନ୍ତେ ସ୍ୱୀକାରୋକ୍ତି ଏଭଳି ଏକ ଲୋକପ୍ରିୟ ସାମାଜିକ ପ୍ରବାହର ଗତିପ୍ରକୃତି ନିୟନ୍ତ୍ରଣ ଲାଗି ପଦକ୍ଷେପ ଆବଶ୍ୟକ କରିଥାଏ ।


 

ପ୍ରଶ୍ନ ଉଠୁଛି ଉପଭୋକ୍ତାମାନେ ସାମାଜିକ ଗଣମାଧ୍ୟମରେ ଦୀର୍ଘ ସମୟ ଅତିବାହିତ କରୁଥିବା ପରିପ୍ରେକ୍ଷୀରେ ଜାତୀୟ ଉତ୍ପାଦ ସୂଚ଼ୀ‘ଜିଡିପି’କୁ ଯଦି ପ୍ରଭାବିତ କରୁଥିବା ପ୍ରମାଣିତ ହୁଏ ତେବେ ଏହାର ନିୟନ୍ତ୍ରଣ ଦିଗରେ ସରକାରୀ ନୀତି ନିୟମ ଆବଶ୍ୟକ କି ?


 

ଭାରତରେ ଇଣ୍ଟରନେଟ, ସ୍ମାର୍ଟଫୋନ ଓ ସାମାଜିକ ଗଣମାଧ୍ୟମ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦୃଢ଼ ପ୍ରସାର ଲାଭ କରିଥିବା ତଥା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅନ୍ତତଃପକ୍ଷେ ଦୁଇରୁ ଅଢ଼େଇଗୁଣ ବୃଦ୍ଧି ଆକଳନ କରାଯାଉଥିବା ସ୍ଥଳେ ଏହାର ପ୍ରତିକୂଳ ପ୍ରଭାବ ପ୍ରତିହତ କରିବା ନିମନ୍ତେ ଉପଭୋକ୍ତାଙ୍କ ମଧ୍ୟରେ ବ୍ୟାବହାରିକ ସଚ଼େତନତା ପ୍ରସାର ଜରୁରୀ ହୋଇ ପଡ଼ିଲାଣି ।


 

ବିଡ଼ମ୍ୱନାର ବିଷୟ ଏହି ଯେ ସାମାଜିକ ପ୍ରଗତି ନିମନ୍ତେ ଇଣ୍ଟରନେଟର ବିସ୍ତୃତିକୁ ଉତ୍ସାହିତ କରିବା ନିମନ୍ତେ ଜାତୀୟ ନୀତି ପ୍ରସ୍ତୁତ ହୋଇଥିବା ତଥା ତାହାର ଉପଯୋଗ ନିମନ୍ତେ ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ଅବସରରେ ଜନସାଧାରଣରେ ଏହାର ଉଚ଼ିତ ବ୍ୟବହାର ସଂପର୍କରେ ମଧ୍ୟ ସରକାରୀ ଓ ବେସରକାରୀସ୍ତରରେ ପଦକ୍ଷେପ ଗ୍ରହଣ ଅପରିହାର୍ଯ୍ୟ ହୋଇପଡ଼ିଛି । ଅତୀତରେ ପ୍ରଯୁକ୍ତି ବିଜ୍ଞାନ ପ୍ରସୂତ କୌଣସି ଉତ୍ପାଦ ବ୍ୟବହାରଜନିତ ନକାରତ୍ମକ ଦିଗପ୍ରତି ମୂଳରୁ ଏତେଟା ସାବଧାନତାର ଆବଶ୍ୟକତା ପଡ଼ି ନଥିଲା । ସ୍ମାର୍ଟଫୋନ ଓ ଇଣ୍ଟରନେଟ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ବେସରକାରୀ ସଂଗଠନଗୁଡ଼ିକ ଜରିଆରେ ସାମାଜିକ ଗଣମାଧ୍ୟମ ସାକ୍ଷରତା ପ୍ରସାରକୁ ହିଁ ଏକମାତ୍ର ସମାଧାନର ପନ୍ଥାରୂପେ ନିର୍ଦ୍ଧାରଣ କରାଯାଇପାରେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ମେ ୨୦୧୮

ସୋସିଆଲ ମିଡ଼ିଆରୁ ସମ୍ୱାଦ

ମହାମାରୀ କାଳରେ ଉପଭୋକ୍ତାଙ୍କ ସମ୍ୱାଦ ଆହରଣ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଘଟିଥିବା ସ୍ଥଳେ ତତସଂପର୍କୀତ ନିର୍ଭରଯୋଗ୍ୟ ପରିସଂଖ୍ୟାନ କ୍ରମଶଃ ଉନ୍ମୋଚିତ ହେବାରେ ଲାଗିଛି । ଆନ୍ତର୍ଜାତିକସ୍ତରରେ ମୋବାଇଲଫୋନ ବ୍ୟବହାର ସଂପର୍କୀତ ଗବେଷଣାରେ ସଂପୃକ୍ତ ଖ୍ୟାତନାମା ସଂସ୍ଥା ‘ଆପଆନେ’ ପକ୍ଷରୁ ୨୦୨୧ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ‘ଷ୍ଟେଟ ଅଫ ମୋବାଇଲ’ ରିପୋର୍ଟ ପ୍ରକାଶିତ ହୋଇଛି । ଏଥିରେ ଦର୍ଶାଯାଇଛି ଯେ ୨୦୨୦ରେ ଭାରତୀୟ ସ୍ମାର୍ଟଫୋନ ଉପଭୋକ୍ତାମାନେ ହାରାହାରି ଦୈନିକ ଚାରିଘଣ୍ଟା ୩୬ ମିନିଟ ମୋବାଇଲ ବ୍ୟବହାର କରିଥିଲେ ।


 

ମହାମାରୀରେ ଦୀର୍ଘ ସମୟ ବ୍ୟାପୀ ଲକଡ଼ାଉନ ତଥା ସଂକ୍ରମଣ ଭୟରେ ଶାରିରୀକ ଦୂରତ୍ୱ ବଜାୟରଖିବା ଅଭ୍ୟାସଜନିତ ମୋବାଇଲ ଫୋନରେ କଥାବାର୍ତ୍ତା ସାଙ୍ଗକୁ ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଶାସନ ଓ ମନୋରଞ୍ଜନ ଇତ୍ୟାଦି ଯୋଡ଼ି ହୋଇଥିବା ଯୋଗୁଁ ବ୍ୟବହାର ବୃଦ୍ଧି ପାଇଥିବା ମୁଖ୍ୟ କାରଣ ରୂପେ ଧରି ନିଆଯାଏ । ତେବେ ବିଗତ ଦଶନ୍ଧିରେ କ୍ରମାଗତଭାବେ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ପାଇ ଚାଲିଥିବା ଏବଂ ୨୦୧୯ରେ ଉପଭୋକ୍ତା ପିଚ୍ଛା ହାରାହାରି ଦୈନିକ ତିନି ଘଣ୍ଟା ୧୮ ମିନଟ ଥିବା ସ୍ଥଳେ ୨୦୨୦ରେ ବାର୍ଷିକ ଭିତ୍ତିରେ ୩୯ ପ୍ରତିଶତ ବୃଦ୍ଧି ପାଇଥିବା ହିସାବ କରାଯାଇଛି ।


 

ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟରେ ଭାରତରେ ଫେସବୁକ ଓ ହ୍ୱାଟସଅପ ସର୍ବାଧିକ ବ୍ୟବହୃତ ସୋସିଆଲ ମିଡ଼ିଆ ଆପ୍ଲିକେସନ । ପ୍ରତ୍ୟେକ ଉପଭୋକ୍ତା ହାରାହାରି ମାସିକ ୨୧ ଘଣ୍ଟା ୧୮ ମିନଟ ଯାଏଁ ଏହି ଦୁଇ ଆପରେ ସମୟ ବିନିଯୋଗ କରିଥାନ୍ତି । ଫେସବୁକ ବ୍ୟବହାର ୨୦୧୯ ତୁଳନାରେ ୨୦୨୦ରେ ୧୫ ପ୍ରତିଶତ ଏବଂ ହ୍ୱାଟସଆପ ୨୫ ପ୍ରତିଶତ ବୃଦ୍ଧି ପାଇଥିଲା ।


 

ଦୈନିକଭିତ୍ତିରେ ଦୀର୍ଘ ସମୟ ଧରି ସ୍ମାର୍ଟଫୋନ ବ୍ୟବହାର ଏବଂ ସୋସିଆଲ ମିଡ଼ିଆରେ ଉପସ୍ଥିତି ଭାରତୀୟ ଉପଭୋକ୍ତାଙ୍କ ସମ୍ୱାଦ ଆହରଣ ଅଭ୍ୟାସକୁ ପ୍ରଭାବିତ କରିବା ସ୍ୱାଭାବିକ । ଅପରପକ୍ଷରେ ସମ୍ୱାଦପତ୍ର, ଟେଲିଭିଜନ ଓ ନିଉଜ ପୋର୍ଟାଲଗୁଡ଼ିକ ପକ୍ଷରୁ ‘ମୋବାଇଲ-ଫାଷ୍ଟ’ ନୀତିରେ ନିଜ ସୃଜନ ବିଜ୍ଞପ୍ତି ସୋସିଆଲ ମିଡ଼ିଆରେ ଉପସ୍ଥାପନା ମଧ୍ୟ ଉପଭୋକ୍ତାଙ୍କ ସମ୍ୱାଦ ଓ ମଞ୍ଚ ଚୟନକୁ ନିୟନ୍ତ୍ରିତ କରିବାରେ ଲାଗିଛି । ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସମ୍ୱାଦ ଓ ଅଭିମତ ପ୍ରକାଶନରେ ସ୍ୱକୀୟ ନୀତି ଅନୁସରଣ କରୁଥିବା ସ୍ଥଳେ ସୋସିଆଲ ମିଡ଼ିଆ ସମ୍ୱାଦ ଓ ଅଭିମତ ପ୍ରକାଶନର ସୂତ୍ର ନିର୍ଦ୍ଧାରଣରୁ ମୁକ୍ତ ରହିଥାଏ । ଉପଭୋକ୍ତାଙ୍କ ପାଇଁ ଏତାଦୃଶ ସଂପ୍ରସାରିତ ପରିଧି ସମ୍ୱାଦ ଆହରଣରେ ନୂତନ ସମୀକରଣ ସୃଷ୍ଟି କରିଛି ।


 

ମହାମାରୀ କାଳରେ ଯୁକ୍ତରାଷ୍ଟ୍ର ଆମେରିକାରେ ସେଠାକାର ପ୍ରାପ୍ତବୟସ୍କ ନାଗରିକଙ୍କ ଦ୍ୱାରା ସୋସିଆଲ ମିଡ଼ିଆରୁ ସମ୍ୱାଦ ଆହରଣ ପରିସଂଖ୍ୟାନ ସଂଗ୍ରହ ନିମନ୍ତେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ଖ୍ୟାତନାମା ‘ପିଉ ରିସର୍ଚ୍ଚ ସେଣ୍ଟର’ ଆନୁକୂଲ୍ୟରେ ୩୧ ଅଗଷ୍ଟ ୨୦୨୦ରୁ ୭ ସେପ୍ଟେମ୍ୱର ୨୦୨୦ ମଧ୍ୟରେ ସଂଗୃହୀତ ତଥ୍ୟ ଅନୁଯାୟୀ ପ୍ରତି ଦଶଜଣ ମଧ୍ୟରେ ଆଠଜଣ ମାର୍କିନ ନାଗରିକ ଡିଜିଟାଲ ମାଧ୍ୟମରେ ସମ୍ୱାଦ ଆହରଣ କରୁଥିଲେ । ଅର୍ଥାତ ଡିଜିଟାଲ ମଞ୍ଚଗୁଡ଼ିକ ସହ ସମ୍ୱାଦପତ୍ର ଓ ଟେଲିଭିଜନରୁ ସମ୍ୱାଦ ପଢ଼ିବା, ଶୁଣିବା ଓ ଦେଖିବା ନିମନ୍ତେ ମୋବାଇଲ, ଟେବଲଟ, ଲାପଟପ ବା ଡ଼େସ୍କଟପ କମ୍ପ୍ୟୁଟର ଇତ୍ୟାଦି ଉପଯୋଗ ହୋଇଥାଏ । ମାତ୍ର ସାତ ପ୍ରତିଶତ ସମ୍ୱାଦ ସଂଗ୍ରହଲାଗି ଡ଼ିଜିଟାଲ ଉପକରଣ ବ୍ୟବହାର କରିନଥାନ୍ତି ।


 

ନମୂନାଭାବେ ଅନ୍ତର୍ଭୁକ୍ତ ସମ୍ୱାଦ ଉପଭୋକ୍ତାଙ୍କ ମଧ୍ୟରୁ ୨୩ ପ୍ରତିଶତ ଅଧିକାଂଶ ସମୟରେ, ୩୦ ପ୍ରତିଶତ ବେଳେ ବେଳେ ଓ ୧୮ ପ୍ରତିଶତ କ୍ୱଚ଼ିତ ସୋସିଆଲ ମିଡ଼ିଆରୁ ସମ୍ୱାଦ ପାଉଥିବା ସ୍ଥଳେ ୨୧ ପ୍ରତିଶତ ସମ୍ୱାଦ ନିମନ୍ତେ ସୋସିଆଲ ମିଡ଼ିଆ ଉପରେ ନିର୍ଭରଶୀଳ ନଥିବା ସୂଚାଇ ଥିଲେ । ସୋସିଆଲ ମିଡ଼ିଆ ମଞ୍ଚ ‘ଫେସବୁକ’ ୬୮ ପ୍ରତିଶତ, ‘ୟୁଟ୍ୟୁବ’ ୭୪ ପ୍ରତିଶତ, ‘ଟୁଇଟର’ ୨୫ ପ୍ରତିଶତ ଓ ‘ଇନଷ୍ଟାଗ୍ରାମ’ ୪୦ ପ୍ରତିଶତ ବ୍ୟବହାର କରିଥାନ୍ତି । ଉପଭୋକ୍ତାଙ୍କ ମଧ୍ୟରୁ ‘ଫେସବୁକ୍’ରୁ ୩୬ ପ୍ରତିଶତ, ‘ୟୁଟ୍ୟୁବ’ରୁ ୨୩ ପ୍ରତିଶତ ‘ଟୁଇଟର’ରୁ ୧୫ ପ୍ରତିଶତ ଓ ‘ଇନଷ୍ଟାଗ୍ରାମ’ରୁ ୧୧ ପ୍ରତିଶତ ସମ୍ୱାଦ ଆହରଣ କରୁଥିବା ସର୍ବେକ୍ଷଣରୁ ଜଣାଯାଇଛି ।


 

ପିଉ ରିସର୍ଚ୍ଚ ପକ୍ଷରୁ ଆୟୋଜିତ ସମ୍ୱାଦ ସୂତ୍ରଭାବେ ସୋସିଆଲ ମିଡ଼ିଆ ବ୍ୟବହାର ସର୍ବେକ୍ଷଣରେ ମୋଟ ଏଗାର ଗୋଟି ସୋସିଆଲ ମିଡ଼ିଆ ମଞ୍ଚ ଗୁରୁତ୍ୱ ଲାଭ କରିଥିଲା । ସେଥିମଧ୍ୟରେ ‘ରେଡ଼ିଟ’ର ୧୫ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ୬ ପ୍ରତିଶତ ସମ୍ୱାଦ ସଂଗ୍ରହ, ‘ସ୍ନାପଚାଟ’ର ୨୨ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ୪ ପ୍ରତିଶତ, ‘ଲିଙ୍କଡ଼-ଇନ’ର ୨୫ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ୪ ପ୍ରତିଶତ, ‘ଟିକଟକ’ର ୧୨ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ୩ ପ୍ରତିଶତ, ‘ହ୍ୱାଟସଆପ’ର ୧୯ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ୩ ପ୍ରତିଶତ, ‘ଟମ୍ୱଲର’ର ୪ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ଏକ ପ୍ରତିଶତ ଓ ‘ଟୁଇଚ଼’ର ୬ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ଏକ ପ୍ରତିଶତ ସମ୍ୱାଦ ଆହରଣ କରୁଥିବା ତଥ୍ୟ ହାସଲ କରାଯାଇଥିଲା ।


 

ସାମଗ୍ରୀକଭାବେ ଅର୍ଦ୍ଧେକ ମାର୍କିନ ନାଗରିକ ସଂବାଦ ନିମନ୍ତେ ସୋସିଆଲ ମିଡ଼ିଆ ଉପରେ ବିଭିନ୍ନ ମାତ୍ରାରେ ନିର୍ଭରଶୀଳ ହୋଇପଡ଼ିଥିବା ଉଦାହରଣ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ୨୦୨୧ ଗଣମାଧ୍ୟମ ପରିବେଶରେ ଊଣାଅଧିକେ ପ୍ରତିବିମ୍ୱିତ ହେବା ଆଶା କରାଯାଇପାରେ । ସୋସିଆଲ ମିଡ଼ିଆରେ ମୁଖ୍ୟତଃ କମ ବୟସର ଉପଭୋକ୍ତାଗଣ ସମ୍ୱାଦ ଖୋଜୁଥିବା ସ୍ଥଳେ ୩୫ ପ୍ରତିଶତ ପୁରୁଷଙ୍କ ତୁଳନାରେ ୬୩ ପ୍ରତିଶତ ମହିଳା ‘ଫେସବୁକ’ରେ ସମ୍ୱାଦ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି । ମୋଟ ୫୯ ପ୍ରତିଶତ ଉପଭୋକ୍ତା ସୋସିଆଲ ମିଡ଼ିଆ ସମ୍ୱାଦର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠାଉଥିବା ସ୍ଥଳେ ୩୯ ପ୍ରତିଶତ ବିଶ୍ୱାସ କରୁଥିବା ପ୍ରକାଶ ।


 

ଭାରତରେ ମହାମାରୀ ପୂର୍ବାବସ୍ଥାରୁ ଫେସବୁକ, ହ୍ୱାଟସଆପ ଓ ୟୁଟ୍ୟୁବ ସମ୍ୱାଦ ପ୍ରସାରଣର ମାଧ୍ୟମ ରୂପେ ମାନ୍ୟତା ପାଇ ସାରିଥିଲା । ମହାମାରୀକାଳରେ ଡିଜିଟାଲ ମଞ୍ଚଗୁଡ଼ିକର ବ୍ୟବହାର ସଶକ୍ତ ହେବାପରେ ୨୦୨୧ରୁ ୨୦୨୫ ପାଞ୍ଚ ବର୍ଷ ମଧ୍ୟରେ ବ୍ୟାପକ ପ୍ରସାର ଲାଭ କରିବା ପୂର୍ବାନୁମାନ ବିକଶିତ ରାଷ୍ଟ୍ରଗୁଡ଼ିକର ଉଦାହରଣରୁ ବେଶ ସୁସ୍ପଷ୍ଟ । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଡିଜିଟାଲ ମଞ୍ଚର ପ୍ରସାର କାଳରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ଆଙ୍ଗିକରେ ବ୍ୟାପକ ପରିବର୍ତ୍ତନ ଆଶା କରାଯାଇପାରେ । ଅବଶ୍ୟ ରାଜ୍ୟରେ ଇଣ୍ଟରନେଟ ସଂଯୁକ୍ତି ଗ୍ରାମାଞ୍ଚଳରେ ଦୁର୍ବଳ ରହିଥିବା ହେତୁ ଡିଜିଟାଲ ଗଣମାଧ୍ୟମ ମଞ୍ଚଗୁଡ଼ିକ ବିକାଶ ସମୟସାପେକ୍ଷ ।


 

ଜାନୁୟାରୀ ୨୦୨୧ ଦ୍ୱିତୀୟ ସପ୍ତାହରେ ଗ୍ରାମାଞ୍ଚଳରେ ହାଇସ୍ପିଡ଼ ଇଣ୍ଟରନେଟ ସଂଯୋଗ ଦିଗରେ କାର୍ଯ୍ୟରତ ‘ଭାରତନେଟ’ର ରାଜ୍ୟସ୍ତରୀୟ ବୈଠକରେ ଓଡ଼ିଶାରେ ୧୭୫ ବ୍ଳକ ଓ ୩୭୭୦ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ପହଞ୍ଚିସାରିଥିବା ଏବଂ ୧୩୩ ବ୍ଳକ ଓ ୨୯୫୪ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ନିମନ୍ତେ କାମ ହାତକୁ ନିଆଯାଇଥିବା ଦର୍ଶାଯାଇଥିଲା । ପରିବେଶ ପତ୍ରିକା ‘ଡାଉନ-ଟୁ-ଆର୍ଥ’ରେ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ରାଜ୍ୟର ସହରାଞ୍ଚଳରେ ଇଣ୍ଟରନେଟ ଗ୍ରାହକ ସଂଖ୍ୟା ୮୩ ପ୍ରତିଶତ ରହିଥିବା ସ୍ଥଳେ ଗ୍ରାମାଞ୍ଚଳରେ ୨୮ ପ୍ରତିଶତରେ ସୀମିତ ରହିଛି । ସେହିପରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରିପୋର୍ଟରେ ରାୟଗଡ଼ା, ନବରଙ୍ଗପୁର, ଦେଓଗଡ଼ ଓ କଳାହାଣ୍ଡିରେ ୮୦ ପ୍ରତିଶତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିବାରଙ୍କ ପାଖେ ସ୍ମାର୍ଟଫୋନ ନାହିଁ । ଇଣ୍ଟରନେଟ ସଂଯୁକ୍ତିରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡ଼ା ଓ ପୁରୀ ଇତ୍ୟାଦି ଜିଲ୍ଲା ଆଗୁଆ ରହିଛି । ରାଜ୍ୟସ୍ତରୀୟ ଏହି ପରିସଂଖ୍ୟାନ ରାଜ୍ୟବାସୀଙ୍କ ମଧ୍ୟରେ ଇଣ୍ଟରନେଟ ସଂଯୁକ୍ତି, ସୋସିଆଲ ମିଡ଼ିଆ ବ୍ୟବହାର ଓ ସୋସିଆଲ ମିଡ଼ିଆରୁ ସଂବାଦ ଆହରଣର ସ୍ଥିତାବସ୍ଥା ପ୍ରତିପାଦିତ କରିଥାଏ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୨ ଜାନୁୟାରୀ ୨୦୨୧


ତଥ୍ୟ:



Hariharan, Sindhu. You spent 39% more time on mobile in ’20. The Times of India. (Bhubaneswar Edition). January 15, 2020.


 

Shearev, Elisa & Amy Mitchell. News use across social media platforms in 2020. Pew Research Center. January 12, 2021.


 

https://www.journalism.org/2021/01/12/news-use-across-social-media-platforms-in-2020/


 

ମେ’ ସୁଦ୍ଧା ସବୁ ବ୍ଳକ, ପଞ୍ଚାୟତକୁ ଇଣ୍ଟରନେଟ । ସମ୍ୱାଦ । (ବ୍ରହ୍ମପୁର ସଂସ୍କରଣ ) । ଜାନୁୟାରୀ ୧୪, ୨୦୨୧


 

ଡ଼ିଜିଟାଲ ଭାରତକୁ ଧକ୍କା, ରାଜ୍ୟର ୯୯୪୦ ଗାଁରେ ନାହିଁ ଇଣ୍ଟରନେଟ ସେବା । ସମାଜ (ବ୍ରହ୍ମପୁର ସଂସ୍କରଣ) । ଜାନୁୟାରୀ, ୧୮, ୨୦୨୧.

ସମ୍ୱାଦ ସୂତ୍ର ସୋସିଆଲ ମିଡ଼ିଆ

ବିଶ୍ୱବ୍ୟାପୀ ଇଣ୍ଟରନେଟ ପ୍ରସାର ସହ ସମତାଳ ଦେଇ ସୋସିଆଲ ମିଡ଼ିଆର ଉପଭୋକ୍ତା ସଂଖ୍ୟା ବୃଦ୍ଧି ପାଉଥିବା ତଥା ସୋସିଆଲ ମିଡ଼ିଆ କ୍ରମଶଃ ସମ୍ୱାଦ ପ୍ରସାରଣର ବିକଳ୍ପ ସୂତ୍ରଭାବେ ଗଣମାଧ୍ୟମ ପରିଧିରେ ଏକ ନୂତନ ସମୀକରଣ ସୃଷ୍ଟି କରିବାରେ ସମର୍ଥ ହୋଇଥିବା ଲକ୍ଷ୍ୟ କରାଯାଏ । ଖ୍ୟାତନାମା ଅନଲାଇନ ପରିସଂଖ୍ୟାନ ସଂସ୍ଥାନ ‘ଷ୍ଟାଟିଷ୍ଟା ଡ଼ଟ କମ’ଆକଳନ ଅନୁଯାୟୀ ୨୦୨୨ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ସୋସିଆଲ ମିଡ଼ିଆର ଉପଭୋକ୍ତା ସଂଖ୍ୟା ୩୯୬ କୋଟିରେ ପହଞ୍ଚିବ । ଯୁକ୍ତରାଷ୍ଟ୍ର ଆମେରିକା ଓ ଚ଼ୀନ ରାଷ୍ଟ୍ରଦ୍ୱୟ ସର୍ବାଧିକ ଉପଭୋକ୍ତା ଦାବୀ କରିବେ ।


 

ସୋସିଆଲ ମିଡ଼ିଆ ଉପଭୋକ୍ତା ସଂଖ୍ୟା ଗଣତିରେ ପ୍ରତ୍ୟେକ ମଞ୍ଚରେ ମାସକୁ ଅନ୍ତତଃ ଥରେ କିମ୍ୱା ତାହାଠାରୁ ଅଧିକବାର ଉପସ୍ଥିତିକୁ ସଂପୃକ୍ତ ମଞ୍ଚର ସକ୍ରିୟ ଉପଭୋକ୍ତା କୁହାଯାଏ । ଆନ୍ତର୍ଜାତିକସ୍ତରରେ ସର୍ବାଧିକ ଉପଭୋକ୍ତା ଫେସବୁକ ମଞ୍ଚରେ ୨୮୫ କୋଟି ଉପସ୍ଥିତ ରହୁଥିବା ସ୍ଥଳେ କ୍ରମାନ୍ୱୟରେ ୟୁଟ୍ୟୁବରେ ୨୨୯ କୋଟି, ହ୍ୱାଟସଆପରେ ୨୦୦ କୋଟି, ଇନଷ୍ଟାଗ୍ରାମରେ ୧୩୮ କୋଟି, ଫେସବୁକ ମେସେଞ୍ଜରରେ ୧୩୦ କୋଟି, ଉଇ-ଚାଟରେ ୧୨୪ କୋଟି, ଟିକଟକରେ ୭୩ କୋଟି, କ୍ୟୂକ୍ୟୂରେ ୬୦ କୋଟି, ଦୁୟାନରେ ୬୦ କୋଟି, ଟେଲିଗ୍ରାମରେ ୫୫ କୋଟି, ସିନୋ ଉଇବୋରେ ୫୩ କୋଟି, ସ୍ନାପଚାଟରେ ୫୧ କୋଟି ଓ କୁଆଇସାନରେ ୪୮ କୋଟି ଉପଭୋକ୍ତା ହିସାବ କରାଯାଏ ।


 

ଏହି ପରିସଂଖ୍ୟାନରେ ସମ୍ଭାବ୍ୟ ୩୯୬ କୋଟି ମୋଟ ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ୨୦୨୧ ପ୍ରଥମ ତ୍ରୟମାସ ସୁଦ୍ଧା ୨୮୯ କୋଟି ଫେସବୁକ ଉପଭୋକ୍ତା ଏହି ସୋସିଆଲ ମିଡ଼ିଆ ମଞ୍ଚର ଆଧିପତ୍ୟ ଜାହିର କରିଥାଏ । ଫେସବୁକ ୨୦୦୪ରେ ଆତ୍ମପ୍ରକାଶ କରି ୨୦୧୨ରେ ଶହେ କୋଟି ଉପଭୋକ୍ତା ସୀମା ଅତିକ୍ରମ କରିଥିଲା । ସର୍ବେକ୍ଷଣ ଅନୁଯାୟୀ ୨୦୨୧ ଏପ୍ରିଲ ସୁଦ୍ଧା ସର୍ବତ୍ର ଫେସବୁକ ମଞ୍ଚରେ ଉପଭୋକ୍ତାମାନେ ପ୍ରାୟତଃ ମୋବାଇଲ ଯୋଗେ ପହଞ୍ଚୁଥିବା ଜଣାଯାଇଥିଲା ।


 

ଅବଶ୍ୟ ଭାରତରେ ୨୦୦୬ରୁ ଫେସବୁକ ପ୍ରବେଶ କରିଥିଲେ ହେଁ ୨୦୦୯ରେ ପ୍ରସାରିତ ହ୍ୱାଟସଅପ ମଞ୍ଚ ସର୍ବାଧିକ ଉପଭୋକ୍ତା ଦାବୀ କରେ । ଦେଶର ସମଗ୍ର ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରୁ ୩୪ ପ୍ରତିଶତ ହ୍ୱାଟସଅପ ବ୍ୟବହାର କରୁଥିବା ସ୍ଥଳେ ୩୨ ପ୍ରତିଶତ ଉପଭୋକ୍ତାଙ୍କ ଗହଣରେ ଭାରତରେ ଦ୍ୱିତୀୟ ସ୍ଥାନରେ ଫେସବୁକ ସ୍ଥାନୀତ । ନିର୍ବାଚ଼ନୀ ତଥ୍ୟ ସଂଗ୍ରହରେ ଅଗ୍ରଗଣ୍ୟ ‘ଲୋକନୀତି’ଦ୍ୱାରା ୨୦୧୯ରେ ଆୟୋଜିତ ଗବେଷଣା ଅନୁଯାୟୀ ସୋସିଆଲ ମିଡ଼ିଆ ବ୍ୟବହାରରେ ତୃତୀୟ ସ୍ଥାନରେ ୟୁଟ୍ୟୁବରେ ୩୧ ପ୍ରତିଶତ, ଚ଼ତୁର୍ଥ ସ୍ଥାନରେ ଇନଷ୍ଟାଗ୍ରାମରେ ୧୫ ପ୍ରତିଶତ ଏବଂ ପଞ୍ଚମ ସ୍ଥାନରେ ଟ୍ୟୁଇଟରରେ ୧୨ ପ୍ରତିଶତ ଉପଭୋକ୍ତା ଉପସ୍ଥିତ ରହିଥିଲେ ।


 

ଭାରତରେ ୮୫ ପ୍ରତିଶତ ହ୍ୱାଟସଅପ, ୮୧ ପ୍ରତିଶତ ୟୁଟ୍ୟୁବ, ୭୨ ପ୍ରତିଶତ ଫେସବୁକ, ୬୦ ପ୍ରତିଶତ ଇନଷ୍ଟାଗ୍ରାମ ଏବଂ ୪୨ ପ୍ରତିଶତ ଟୁଇଟର ଉପଭୋକ୍ତା ଦୈନିକଭିତ୍ତିରେ ସଂପୃକ୍ତ ମଞ୍ଚଗୁଡ଼ିକୁ ବ୍ୟବହାର କରୁଥିବା ସ୍ୱୀକାର କରିଥିଲେ । ସୋସିଆଲ ମିଡ଼ିଆ ମଞ୍ଚରେ ସମ୍ୱାଦ ପ୍ରସାରଣ ସଂପର୍କରେ ଆଲୋଚ଼ନା କଲା ବେଳେ ଏକ ପକ୍ଷରେ ୨୦୨୧ ସୁଦ୍ଧା ମୂଳସ୍ରୋତର ସମ୍ୱାଦମଞ୍ଚଗୁଡ଼ିକ ତୁଳନାରେ ହ୍ୱାଟସଆପ, ଫେସବୁକ ଓ ୟୁଟ୍ୟୁବଭଳି ମଞ୍ଚରେ ଅଧିକ ସଂଖ୍ୟକ ଉପଭୋକ୍ତା ଉପସ୍ଥିତ । ଏହି କାରଣରୁ ସଂପୃକ୍ତ ମଞ୍ଚଗୁଡ଼ିକରେ ସମ୍ୱାଦ ପ୍ରସାରଣ ପ୍ରଭାବଶାଳୀ ପ୍ରମାଣିତ । ଅପରପକ୍ଷରେ ୨୦୧୪ ରୁ ୨୦୧୮ ମଧ୍ୟରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକର ଉପଭୋକ୍ତା ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ହ୍ରାସ ପାଇଛି । ଅବଶ୍ୟ ୨୦୨୯ରେ ସମାଜର ଅବହେଳିତ ବର୍ଗ ଦଳିତ, ଜନଜାତି ଓ ମୁସଲମାନ ସଂପ୍ରଦାୟର ସୋସିଆଲ ମିଡ଼ିଆ ଉପଭୋକ୍ତା ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ।


 

ସମ୍ୱାଦ ସୂତ୍ରଭାବେ ସୋସିଆଲ ମିଡ଼ିଆର ବିକାଶ ପର୍ଯ୍ୟାଲୋଚନାରେ ଏହି ଦୁଇ ଦିଗ ଗୁରୁତ୍ୱ ବହନ କରିଥାଏ । ଏକ ସୁବିସ୍ତୃତ ମଞ୍ଚ ଆୟୋଜନ ଏବଂ ସେଥିରେ ଅବହେଳିତ ବର୍ଗଙ୍କ ଯୋଗଦାନ ସୋସିଆଲ ମିଡ଼ିଆରେ ଏକ ଗଣତାନ୍ତ୍ରିକ ପରିବେଶ ସୃଷ୍ଟିରେ ସହାୟକ ହୋଇଥିବା ସମୀକ୍ଷକମାନେ ଟୀପ୍ପଣି ଦେଇଥାନ୍ତି । ସମ୍ୱାଦ ସରବରାହ କ୍ଷେତ୍ରରେ ଏହା ଏକ ନୂତନ ସମୀକରଣର ଅଂଶବିଶେଷ । ସୋସିଆଲ ମିଡ଼ିଆ ବ୍ୟବହାର ସଙ୍ଗେ ସେଥିରେ ସମ୍ୱାଦ ଖୋଜିବା ଫଳରେ ସୋସିଆଲ ମିଡ଼ିଆ ଅଗ୍ରଗଣ୍ୟ ସମ୍ୱାଦ ସୂତ୍ର ରୂପେ ପରିବର୍ତ୍ତିତ ହେବା ସୁସ୍ପଷ୍ଟ ।


 

ଉଦାହରଣରେ ‘ଷ୍ଟାଟିଷ୍ଟା’ ପକ୍ଷରୁ ୨୦୨୧ ଫେବୃୟାରୀ ମାସରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ଦୁଇ ହଜାର ବୟସ୍କଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରୁ ସମ୍ୱାଦ ଆହରଣ ସଂକ୍ରାନ୍ତୀୟ ଆୟୋଜିତ ଏକ ସର୍ବେକ୍ଷଣର ନିର୍ଯ୍ୟାସ ୨୦୨୧ ଜୁନ ମାସରେ ପ୍ରକାଶିତ ହୋଇଥିଲା । ସେଥିରୁ ଜଣାଗଲା ଯେ କେନିୟା, ଦକ୍ଷିଣ ଆଫ୍ରିକା, ମାଲେସିଆ ଓ ଫିଲିପାଇନ୍ସ ଭଳି ଶିକ୍ଷା ଓ ଅର୍ଥନୀତି ଦୃଷ୍ଟିରୁ ପଛୁଆ ରାଷ୍ଟ୍ରଗୁଡ଼ିକରେ ୭୦ ପ୍ରତିଶତ ସୋସିଆଲ ମିଡ଼ିଆରୁ ସମ୍ୱାଦ ସଂଗ୍ରହ କରିଥାନ୍ତି । ଅପରପକ୍ଷେ ଅପେକ୍ଷାକୃତ ଶିକ୍ଷିତ ଓ ଅର୍ଥନୀତି ଦୃଷ୍ଟିରୁ ସ୍ୱଚ୍ଛଳ ବେଲଜିୟମ, ଫ୍ରାନ୍ସ, ନେଦରଲେଣ୍ଡ, ଜର୍ମାନୀ ଓ ଜାପାନର ମାତ୍ର ୪୦ ପ୍ରତିଶତ ସମ୍ୱାଦ ସଂଗ୍ରହ ନିମନ୍ତେ ସୋସିଆଲ ମିଡ଼ିଆ ଉପରେ ନିର୍ଭରଶୀଳ ।


 

ଅନ୍ୟ ଉପକ୍ରମରେ କିଶୋର ଓ ଯୁବବର୍ଗ ପାରମ୍ପରିକ ବଦଳରେ ଡ଼ିଜିଟାଲ ମିଡ଼ିଆକୁ ସମ୍ୱାଦ ସୂତ୍ର ଭାବେ ଗ୍ରହଣ କରୁଥିବା ହେତୁ ସାମଗ୍ରୀକ ଭାବେ ସୋସିଆଲ ମିଡ଼ିଆର ପ୍ରଭାବରେ କ୍ରମୋନ୍ନତି ଆଶା କରାଯିବା ଯୁକ୍ତିଯୁକ୍ତ । ସୋସିଆଲ ମିଡ଼ିଆ ବ୍ୟକ୍ତିଗତ, ଗଭୀର ଆଞ୍ଚଳିକ, ରାଜ୍ୟସ୍ତର, ଜାତୀୟସ୍ତର ଓ ଆନ୍ତର୍ଜାତିକସ୍ତରରେ ପାଞ୍ଚଗୋଟି ଭିନ୍ନ ଭିନ୍ନ ପର୍ଯ୍ୟାୟ ସମ୍ୱାଦ ସରବରାହରେ ଅଂଶୀଦାର । ବ୍ୟକ୍ତିଗତ ଓ ଗଭୀର ଆଞ୍ଚଳିକସ୍ତରର ସମ୍ୱାଦ ଉପଭୋକ୍ତାଙ୍କ ବନ୍ଧୁବର୍ଗ ତଥା ସାଧାରଣ ନାଗରିକଙ୍କ ଦ୍ୱାରା ପରିଚାଳିତ ହେଉଥିବା ସ୍ଥଳେ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ବୃତ୍ତିଗତ ସମ୍ୱାଦ ସଂସ୍ଥାର ଭୂମିକା ସୁସ୍ପଷ୍ଟ । ଅପରପକ୍ଷେ ବିଭିନ୍ନ ରୁଚ଼ି, ସମସ୍ୟା ଓ ବୃତ୍ତିଭିତ୍ତିକ ସମ୍ୱାଦ ମଧ୍ୟ ସୋସିଆଲ ମିଡ଼ିଆରେ ସୃଜନ ଓ  ପ୍ରସାରଣ ମୁକ୍ତ ପରିବେଶ ସୃଷ୍ଟିରେ ସହାୟକ ।


 

ସୋସିଆଲ ମିଡ଼ିଆରେ ଅସତ୍ୟ, ଗୁଜବ, ଅତିରଞ୍ଜିତ, ଆକ୍ଷେପମୂଳକ ଓ ପ୍ରାୟୋଜିତ ସମ୍ୱାଦ ପ୍ରସାର ଏବଂ ଏହାର ସୁଦୂର ପ୍ରସାରୀ ପ୍ରଭାବ ସ୍ୱାସ୍ଥ୍ୟ, ରାଜନୀତି ତଥା ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ଅନୁଭୂତ ହେଉଛି । ବୈଷୟିକ ସମୃଦ୍ଧି ସ୍ୱାଧୀନ ସମ୍ୱାଦ ସରବରାହ ନିମନ୍ତେ ସାଧନ ସୃଷ୍ଟି କରୁଥିବା ସ୍ଥଳେ ଏହାର ଦୁରୋପଯୋଗ ବିପରୀତ ଫଳ ପ୍ରଦାନ କରିବାରେ ଲାଗିଛି । ଅଭିବ୍ୟକ୍ତିରେ ସ୍ୱାଧୀନତା ଗଣତନ୍ତ୍ରକୁ ପରିପୁଷ୍ଟ କରିବା ବଦଳରେ ଶାସନତାନ୍ତ୍ରିକ ବ୍ୟବସ୍ଥାରେ ସ୍ୱେଚ୍ଛାଚାରିତା ବୃଦ୍ଧିରେ ପର୍ଯ୍ୟବସିତ ହେବା ବିଶ୍ୱବ୍ୟାପୀ ଏକ ଅସମାହିତ ସମସ୍ୟା ରୂପେ ମୁଣ୍ଡ ଟେକିଛି ।


 

ଉଲ୍ଲେଖନୀୟ ବିଷୟ ଏହି ଯେ ସୋସିଆଲ ମିଡ଼ିଆ ଅସତ୍ୟ ସମ୍ୱାଦ  ‘ଫେକ ନିଉଜ’ କବଳିତ ଥିବା ଉପଭୋକ୍ତାମାନଙ୍କ ମଧ୍ୟରୁ ଅଧିକାଂଶ ଅବଗତ ଥିବା ତଥା ବିଶ୍ୱସନୀୟତା ହରାଇଥିବା ସତ୍ତ୍ୱେ ବିଭିନ୍ନ ମଞ୍ଚରେ ଦୀର୍ଘ ସମୟ ଧରି ଉପସ୍ଥିତ ରହିଥାନ୍ତି । ହାତପାଆନ୍ତାରେ ସ୍ମାର୍ଟଫୋନ ତଥା ସେଥିରେ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ‘ଟେକ୍ସଟ, ଅଡ଼ିଓ ଓ ଭିଡ଼ିଓ’ ଉପଲବ୍ଧ ହେବା ସାଙ୍ଗକୁ ନିୟୋଜିତ ଆପ୍ଲିକେସନଗୁଡ଼ିକର ମାଦକତା ଉପଭୋକ୍ତାଙ୍କୁ ପ୍ରଭାବିତ କରୁଥିବା ସୁସ୍ପଷ୍ଟ । ସମ୍ୱାଦ ମଞ୍ଚ ଦ୍ରବ୍ୟ ଓ ସେବା ବିକ୍ରିର ବିଜ୍ଞାପନକୁ ପାଥେୟ କରି ଦୁଇଶହ ବର୍ଷ ଅତିବାହିତ କରିବାପରେ ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆ ପୃଷ୍ଟଭୂମିରେ କେତେକାଳ ପ୍ରବାହିତ ହେବ ତାହା ସମୟ କହିବ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଅଗଷ୍ଟ ୨୦୨୧


ତଥ୍ୟ:



Usage of social media as a news source worldwide 2021


 

https://www.statista.com/statistics/718019/social-media-news-source/


 

Global social networks ranked by users 2021


 

https://www.statista.com/statistics/272014/global-social-networks-ranked-by-number-of-users/


 

Sardesai, Shreyas, Trends in use of social media in India since 2014 : growth across platforms, user profile


 

https://indianexpress.com/article/explained/trends-in-use-of-social-media-in-india-since-2014-growth-across-platforms-user-profile-7369588/

ସୋସିଆଲ ମିଡ଼ିଆ ଇନଫ୍ଳୁଏନସର 

ମୁଦ୍ରଣ କଳାକୌଶଳ ଉଦ୍ଭାବନ ପୂର୍ବରୁ ଜନବସତିରେ ଉଚ୍ଚ ସ୍ୱରରେ ମୌଖିକ ସୂଚ଼ନା ପ୍ରଦାନକାରୀଙ୍କୁ ‘ଘୋଷକ’ ତଥା ଲିଖିତ ସୂଚନା ପ୍ରେରଣକାରୀଙ୍କୁ ‘ପତ୍ର ଲେଖକ’ କୁହାଯାଏ । ମୁଦ୍ରିତ ସମ୍ୱାଦପତ୍ର ଲୋକପ୍ରିୟତା ହାସଲ କରିବାପରେ ବହୁ ସଂଖ୍ୟକ ବ୍ୟକ୍ତି ସମ୍ୱାଦ ରଚନା ଓ ସମ୍ପାଦନାରେ ସଂପୃକ୍ତ ହୋଇ ‘ସାମ୍ୱାଦିକ’ ନାମିତ ହେଲେ । ରେଡ଼ିଓ, ଟେଲିଭିଜନ ଓ ୱେବ-ସମ୍ୱାଦ ମଞ୍ଚ ଆତ୍ମପ୍ରକାଶରେ ସମ୍ୱାଦ ପ୍ରଯୋଜନା କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିବିଶେଷ ‘ସାମ୍ୱାଦିକ’ ଭାବେ ହିଁ ପରିଚ଼ିତ ହେଲେ । ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକ ମଧ୍ୟଭାଗରୁ ସାମାଜିକ ଗଣମାଧ୍ୟମ ପ୍ରସାରପରେ ପ୍ରତ୍ୟେକ ଉପଭୋକ୍ତା ଡ଼ିଜିଟାଲ ମଞ୍ଚଗୁଡ଼ିକରେ ସମ୍ୱାଦ ଆହରଣ ସହ ସମ୍ୱାଦ ପ୍ରସାରଣର ସୁଯୋଗ ପାଇଲେ । ଏହି ପରିବେଶରେ କେତେକଙ୍କ ସୃଜନ ବହୁସଂଖ୍ୟକ ପାଠକ, ଶ୍ରୋତା ଓ ଦର୍ଶକଙ୍କୁ ଆକର୍ଷିତ କରୁଥିବା ପରିଦୃଷ୍ଟ ହେଲା । ତେବେ ସେମାନଙ୍କୁ ‘ସାମ୍ୱାଦିକ’ ବଦଳରେ ସାମାଜିକ ଗଣମାଧ୍ୟମ ପ୍ରସାରକ ‘ସୋସିଆଲ ମିଡ଼ିଆ ଇନଫ୍ଳୁଏନସର’ କୁହାଗଲା ।

 

ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ଦୁଇଶହ ବର୍ଷ ଧରି ସମ୍ୱାଦ ଓ ଅଭିମତ ପ୍ରସାରଣ ସହ ବିଜ୍ଞାପକଭାବେ ଗଢ଼ି ଉଠିଥିବା ସ୍ଥଳେ ଇନଫ୍ଳୁଏନସରମାନେ ଉଭୟକ୍ଷେତ୍ରରେ ସଂପୃକ୍ତ ରହିଲେ । ଇନଫ୍ଳୁଏନସରଙ୍କ ଅନୁଗାମୀ ‘ଫାଲୋୟର୍ସ’ ଗଣତିରେ କାଟତି ବଢ଼ିଲା । ଇନଫ୍ଳୁଏନସର ଗୋଷ୍ଠୀରେ ମୂଳସ୍ରୋତର ସାମ୍ୱାଦିକଙ୍କ ସଂଖ୍ୟା କମ ଥିବା ସ୍ଥଳେ ମୌଳିକ ଭାବେ ଗଢ଼ି ଉଠିଥିବା ଡ଼ିଜିଟାଲ ମଞ୍ଚ କର୍ମୀ ‘ନେଟିଭ ଡ଼ିଜିଟାଲ ଟ୍ରାଇବ’ଙ୍କ ସଂଖ୍ୟା ଅଧିକ । ଡ଼ିଜିଟାଲ ମଞ୍ଚ ସହ ପରିଚ଼ିତ ଉଦୀୟମାନ ସୃଜନ ପ୍ରତିଭା ବିବିଧ ଗଣଯୋଗାଯୋଗ ମଞ୍ଚ ବ୍ୟବହାରରେ ନିଜ ପରାକାଷ୍ଠା ପ୍ରମାଣିତ କରିବାରେ ଲାଗିପଡ଼ିଲେ । ପରିବର୍ତ୍ତନର ସ୍ରୋତରେ ପାରମ୍ପରିକ ଗଣଯୋଗାଯୋଗ ତୁଳନାରେ ସାମାଜିକ ଗଣମାଧ୍ୟମର ପ୍ରଶସ୍ତି, ଉପଭୋକ୍ତା ବୃଦ୍ଧି ଓ ଗଣତାନ୍ତ୍ରିକ ପରିବେଶ ଇନଫ୍ଳୁଏନସରମାନଙ୍କୁ ଉଭୟ ବିଜ୍ଞାପନ ଓ ସମ୍ୱାଦ ପ୍ରସାରଣରେ ଅଗ୍ରଣୀ ଗଢ଼ି ତୋଳିଲା । ସାମାଜିକ ଗଣମାଧ୍ୟମରେ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ସଂଯୋଜନା ଏବଂ ସ୍ୱଳ୍ପ ଖର୍ଚ୍ଚରେ ସ୍ମାର୍ଟଫୋନ ଯୋଗେ ଆହରଣ ଉପଭୋକ୍ତାଙ୍କୁ ଆକର୍ଷିତ କରିଥିବା ସ୍ଥଳେ ଭବିଷ୍ୟତ ଉଜ୍ଜଳ ପ୍ରତୀୟମାନ ହୁଏ ।

 

ସାମାଜିକ ଗଣମାଧ୍ୟମରେ ଇନଫ୍ଳୁଏନସର ଅର୍ଥନୀତି ଅନୁଧ୍ୟାନ କରି ଆନ୍ତର୍ଜାତିକ ଗବେଷଣା ପ୍ରତିଷ୍ଠାନ ‘ଦେନ୍ତେସୁ ଇଣ୍ଡିଆ’ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ଇଣ୍ଡିଆନ ଇନଷ୍ଟିଟିଉଟ ଅଫ ଟେକନୋଲଜି, ନୂଆଦିଲ୍ଲୀ’ ସହଯୋଗକ୍ରମେ ଏକ ରିପୋର୍ଟ ‘ଇମ୍ପାକ୍ଟ ଅଫ ଇନଫ୍ଳୁଏନସର ମାର୍କେଟିଂ ଇନ ଇଣ୍ଡିଆ’ ଜୁନ ୨୦୨୩ରେ ପ୍ରକାଶ କରିଥିଲା । ପ୍ରଥମତଃ, ଭାରତରେ ଇନଷ୍ଟାଗ୍ରାମ, ଫେସବୁକ, ୟୁଟ୍ୟୁବ, ଲିଙ୍କଡ଼-ଇନ ଏବଂ ଟୁଇଟର ମଞ୍ଚରେ ଇନଫ୍ଳୁଏନସର ମାନେ ସକ୍ରିୟ । ଦ୍ୱିତୀୟତଃ, ଦ୍ରବ୍ୟ ଓ ସେବା ବିଜ୍ଞାପନ କ୍ଷେତ୍ରରେ ବିୟୁଟି, ଫେସନ, ଲାଇଫଷ୍ଟାଇଲ, ଆସବାବପତ୍ର, ଖାଦ୍ୟ ଓ ପର୍ଯ୍ୟଟନ ଭଳି ବ୍ୟାବସାୟିକ ସଂସ୍ଥା ବିଗତ ପାଞ୍ଚ ବର୍ଷରୁ କ୍ରମଶଃ ଇନଫ୍ଳୁଏନସର ବିଜ୍ଞାପନରେ ଅର୍ଥ ବିନିଯୋଗ କରୁଛନ୍ତି ।

 

ତୃତୀୟତଃ, ଇନଫ୍ଳୁଏନସର ମାର୍କେଟିଂ ପର୍ଯ୍ୟାଲୋଚ଼ନା ନିମନ୍ତେ ଅନୁଗାମୀଙ୍କୁ ଚାରିଗୋଟି ବର୍ଗରେ ବିଭକ୍ତ କରାଯାଇଥାଏ । ସାଧାରଣରେ ୧୮ରୁ ୨୩ ବର୍ଷ ବୟସ୍କ ‘ଜେନେରେସନ-ଜେଡ଼’, ୨୪ ବର୍ଷରୁ ୩୭ ବର୍ଷ ବୟସ୍କ ‘ମିଲାନିଆଲସ’, ୩୮ ବର୍ଷରୁ ୫୬ ବର୍ଷ ବୟସ୍କ ‘ଜେନେରେସନ-ଏକ୍ସ’ ଏବଂ ୫୭ ବର୍ଷରୁ ୬୪ ବର୍ଷ ବର୍ଷ ବୟସ୍କ ‘ବୁମରର୍ସ’ ନାମିତ । ‘ଜେନ-ଜେଡ଼’ ଓ ‘ମିଲାନିଆଲସ’ ଇନଫ୍ଳୁଏନସର ମାର୍କେଟିଂ ଦ୍ୱାରା ପ୍ରଭାବିତ । ପାରମ୍ପରିକ ବ୍ରାଣ୍ଡ ବିଜ୍ଞାପନରେ ‘ଜେନେରେସନ-ଜେଡ଼’ର ୨୮ ପ୍ରତିଶତ ପ୍ରଭାବିତ ହେଉଥିବା ସ୍ଥଳେ ‘ଇନଫ୍ଳୁଏନସର’ ବିଜ୍ଞାପନରେ ୩୩ ପ୍ରତିଶତ ପ୍ରଭାବିତ । ସେହିପରି ‘ମିଲାନିଆଲସ’ ବର୍ଗରେ ୨୪ ପ୍ରତିଶତ ବ୍ରାଣ୍ଡ ବିଜ୍ଞାପନ ଓ ୩୬ ପ୍ରତିଶତ ଇନଫ୍ଳୁଏନସର ବିଜ୍ଞାପନରେ ପ୍ରଭାବିତ । ଅପରପକ୍ଷେ ‘ଜେନେରେସନ-ଏକ୍ସ’ କ୍ଷେତ୍ରରେ ବ୍ରାଣ୍ଡ ବିଜ୍ଞାପନ ୩୭ ପ୍ରତିଶତଙ୍କୁ ପ୍ରଭାବିତ କରୁଥିବା ବେଳେ ଇନଫ୍ଳୁଏନସର ବିଜ୍ଞାପନର ପ୍ରଭାବ ମାତ୍ର ୧୨ ପ୍ରତିଶତ । ‘ବୁମରର୍ସ’ ବର୍ଗରେ ବ୍ରାଣ୍ଡ ବିଜ୍ଞାପନ ୬୩ ପ୍ରତିଶତ ଓ ‘ଇନଫ୍ଳୁଏନସର’ ବିଜ୍ଞାପନ ୩୮ ପ୍ରତିଶତଙ୍କୁ ପ୍ରଭାବିତ କରେ ।

 

ଚ଼ତୁର୍ଥତଃ, ସଫଳ ଇନଫ୍ଳୁଏନସରମାନେ ବିଜ୍ଞାପନ ବାବଦରେ ବେଶ ମୋଟା ଅଙ୍କର ଅର୍ଥ ଆୟ କରନ୍ତି । ଉଦାହରଣରେ ବ୍ୟାଙ୍କ, ବୀମା, ମ୍ୟୁଚଲଫଣ୍ଡ, ଷ୍ଟକ ଭଳି ଅର୍ଥନୀତିକ ବିଜ୍ଞାପନ ପାଇଁ ପୋଷ୍ଟ ପିଛା ଇନଫ୍ଳୁଏନସରମାନେ ଦଶ ହଜାରରୁ ସାତ ଲକ୍ଷ ୫୦ ହଜାର ଟଙ୍କା ଯାଏଁ ପାରିଶ୍ରମିକ ପାଇଥାନ୍ତି । ଇନଫ୍ଳୁଏନସରମାନଙ୍କୁ ନିୟୋଜନ ଏବଂ କାର୍ଯ୍ୟ ତଦାରଖ କରୁଥିବା ଇନଫ୍ଳୁଏନସର ଏଜେନ୍ସିମାନେ ଏକ ବିଜ୍ଞାପନ ଅଭିଯାନ ‘ଏଡ଼ଭାଟାଇଜମେଣ୍ଟ କ୍ୟାମ୍ପେନ’ ପିଛା ୨୦ ଲକ୍ଷ ଟଙ୍କା ଦାବୀ କରନ୍ତି ।

 

ପଞ୍ଚମତଃ, ଆମ ଦେଶରେ ମହାମାରୀ-ପର ପରିବେଶରେ ଇଣ୍ଟରନେଟ ପ୍ରସାର ଓ ସ୍ମାର୍ଟଫୋନ ଯୋଗେ ସାମାଜିକ ଗଣମାଧ୍ୟମ ବ୍ୟବହାର ଦୃତ ବୃଦ୍ଧି ଘଟୁଥିବା ସ୍ଥଳେ ଇନଫ୍ଳୁଏସନରମାନଙ୍କ ଗୁରୁତ୍ୱ ମଧ୍ୟ ବଢ଼ିଛି । ନାମୀ ଇନଷ୍ଟାଗ୍ରାମ ଇନଫ୍ଳୁଏନସରଙ୍କ ଅନୁଗାମୀ ସଂଖ୍ୟା ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ହିସାବ କରାଯାଉଛି । ସହରାଞ୍ଚଳରେ ଇନଫ୍ଳୁଏନସରଙ୍କ ପ୍ରଭାବ କ୍ରମଶଃ ଗ୍ରାମାଞ୍ଚଳକୁ ସଂପ୍ରସାରିତ ହୋଇଛି ଏବଂ ଇଂଲିଶ, ହିନ୍ଦି ସାଙ୍ଗକୁ ଆଞ୍ଚଳିକ ଭାଷାଗୁଡ଼ିକରେ ମଧ୍ୟ ଇନଫ୍ଳୁଏନସରମାନଙ୍କୁ ବ୍ୟାବସାୟିକ ବିଜ୍ଞାପନ ନିମନ୍ତେ ନିୟୋଜିତ କରାଯାଉଛି ।

 

‘ଏଡ଼ଭାଟାଇଜିଂ ଷ୍ଟାଣ୍ଡାର୍ଡସ କାଉନସିଲ ଅଫ ଇଣ୍ଡିଆ’ ପକ୍ଷରୁ ସୋସିଆଲ ମିଡ଼ିଆ ଇନଫ୍ଳୁଏନସରଙ୍କ ତିନିଗୋଟି କ୍ଷେତ୍ରରେ ଦକ୍ଷତାକୁ ଗୁରୁତ୍ୱ ଦିଆଯାଇଥାଏ । ଇନଫ୍ଳୁଏନସରମାନେ କେତେ ସଂଖ୍ୟକ ଅନୁଗାମୀଙ୍କଠାରେ ପହଞ୍ଚି ପାରୁଛନ୍ତି, କେତେ ମାତ୍ରାରେ କୌଣସି ଦ୍ରବ୍ୟ ବା ସେବା ବ୍ୟବହାର ଲାଗି ପ୍ରଭାବିତ କରିପାରୁଛନ୍ତି ଏବଂ ଇନଫ୍ଳୁଏନସରଙ୍କ ଜ୍ଞାନ, ପଦବୀ ତଥା ଅନୁଗାମୀଙ୍କ ସହ ସଂପର୍କ କେତେ ଗଭୀର ତାହା ବିଚାରକୁ ନିଆଯାଇଥାଏ । ଆମ ଦେଶର ପ୍ରମୁଖ ବିଜ୍ଞାପକଙ୍କ ମଧ୍ୟରେ ହିନ୍ଦୁସ୍ଥାନ ୟୁନିଲିଭର, ମାରିକୋ ଓ ବିକାନେରୱାଲା ଭଳି ବିଜ୍ଞାପକମାନେ ସୋସିଆଲ ମିଡ଼ିଆ ଇନଫ୍ଳୁଏନସର ବିଜ୍ଞାପନ ପ୍ରଚାରରେ ଅଗ୍ରଣୀ ।

 

ଉଦାହରଣରେ ‘ମେରିକୋ’ ପ୍ରତିଷ୍ଠାନ ପକ୍ଷରୁ କେଶ ପ୍ରସାଧାନ ଉତ୍ପାଦ ‘ଲିଭନ’ର ଏକ ସୋସିଆଲ ମିଡ଼ିଆ ଇନଫ୍ଳୁଏନସର ବିଜ୍ଞାପନ ଅଭିଯାନ ୩୮ କୋଟି ଦର୍ଶକଙ୍କ ନିକଟରେ ପହଞ୍ଚିପାରିଥିଲା ଏବଂ ଏଥିରେ ପ୍ରଭାବିତ ହୋଇ ଏକ ହଜାର ଦର୍ଶକଙ୍କ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ପୋଷ୍ଟ କରାଯାଇଥିଲା । ଏହାର ଅନ୍ୟତମ ଉତ୍ପାଦ ‘ପାରାଚୁଟ’ ନଡ଼ିଆ ତେଲର ବିଜ୍ଞାପନ ନିମନ୍ତେ ୪୦ ଜଣ ୪୦ ବର୍ଷରୁ କମ ବୟସ୍କ ସୋସିଆଲ ମିଡିଆ ଇନଫ୍ଳୁଏନସରଙ୍କୁ ନିଯୁକ୍ତ କରାଯାଇଥିଲା ।

 

ଇନଫ୍ଳୁଏନସର ବିଜ୍ଞାପନ ମୁଖ୍ୟତଃ ‘ଜେନ-ଜେଡ଼’ ଓ ‘ମିଲାନିଆଲସ’ ମିଳିତ ଭାବେ ୧୮ ବର୍ଷରୁ ୩୭ ବର୍ଷ ବୟସ୍କଙ୍କ ମଧ୍ୟରେ ଲୋକପ୍ରିୟ ଥିବା ସ୍ଥଳେ ସମଭାବେ ସମ୍ୱାଦ ପରିବେଷଣ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ କୁହାଯାଇପାରେ । ଅର୍ଥାତ, ଏହି ବୟସ ବର୍ଗ ସୋସିଆଲ ମିଡ଼ିଆରୁ ଅପେକ୍ଷାକୃତଭାବେ ଅନ୍ୟ ବୟସ ବର୍ଗ ତୁଳନାରେ ସଂବାଦ ଆହରଣ କରୁଥିବା ଏବଂ ଇନଫ୍ଳୁଏନସର ଅନୁଗାମୀ ଥିବା ବିଶ୍ୱାସ କରାଯାଇପାରେ ।

 

‘ଫୋବର୍ସ ଆଡ଼ଭାଇଜର’ ହିସାବ ଅନୁଯାୟୀ ୨୦୨୩ ଆରମ୍ଭ ସୁଦ୍ଧା ଭାରତରେ ୬୭.୫ ପ୍ରତିଶତ ଇଣ୍ଟରନେଟ ଉପଭୋକ୍ତା ସୋସିଆଲ ମିଡ଼ିଆ ବ୍ୟବହାର କରୁଥିଲେ । ପ୍ରତ୍ୟେକ ଉପଭୋକ୍ତା ହାରାହାରି ଦୈନିକ ୧୪୧.୬ ମିନଟ ସୋସିଆଲ ମିଡ଼ିଆ ମଞ୍ଚରେ ଉପସ୍ଥିତ ରହୁଥିଲେ । କୁହାଯାଏ ଯେ ଏହି ପ୍ରବାହ ଅବ୍ୟାହତ ରହିଲେ ଏବଂ ‘ଜେନ-ଜେଡ଼’ର ହାରାହାରି ଜୀବଦ୍ଦଶା ୭୩ ବର୍ଷ ନିର୍ଦ୍ଧାରଣ କରାଗଲେ ଜଣେ ବ୍ୟକ୍ତି ଜୀବନ କାଳ ମଧ୍ୟରେ ୫ ବର୍ଷ ୭ ମାସରୁ ଉର୍ଦ୍ଧ୍ୱ ସମୟ ସୋସିଆଲ ମିଡ଼ିଆରେ ବିତାଇବ । ଏହିଭଳି ପରିସଂଖ୍ୟାନରୁ ସୋସିଆଲ ମିଡ଼ିଆ ଭବିଷ୍ୟତରେ ଇନଫ୍ଳୁଏନସର ପ୍ରଭାବ ବେଶ ଆକଳନ କରାଯାଇପାରେ ।    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ସେପ୍ଟେମ୍ୱର ୨୦୨


ତଥ୍ୟ:

 

Mishra, Anuradha. Dawn of a New ‘I’ Age. Business Standard (Bhubaneswar Edition) August 31, 2023

 

Basu, Debashis. Steps against Influencers: Will they work ? Business Standard  (Bhubaneswar Edition). August 28, 2023

 

Top Social Media Statistics and Trends of 2023 – Forbes Advisors INDIA

 

https://www.forbes.com/advisor/in/business/social-media-statistics/

ସୋସିଆଲ ମିଡ଼ିଆରେ ସରକାରଙ୍କୁ ସମାଲୋଚନା

ସୋସିଆଲ ମିଡ଼ିଆରେ ସରକାରଙ୍କୁ ସମାଲୋଚନା ନେଇ ବିହାରରେ ପ୍ରଶାସନିକ ତତ୍ପରତା ଜାନୁୟାରୀ ୨୦୨୧ ତୃତୀୟ ସପ୍ତାହରେ ଗଣମାଧ୍ୟମ ପରିଧିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବିହାର ସରକାରଙ୍କ ଅର୍ଥନୀତିକ ଅପରାଧିକ ଶାଖା ‘ଇକନୋମିକ ଅଫେନ୍ସ ୱିଙ୍ଗ’ର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ‘ଏଡ଼ିଜି’ ରାଜ୍ୟ ସାଇବର କ୍ରାଇମ ତତ୍ତ୍ୱାବଧାନ ଦାୟିତ୍ୱ ତୁଲାଇଥାନ୍ତି । ସେ ୨୨ ଜାନୁୟାରୀ ୨୦୨୧ରେ ସମସ୍ତ ପ୍ରିନ୍ସପାଲ ସେକ୍ରେଟରୀ ଓ ସେକ୍ରେଟରୀମାନଙ୍କୁ ଏକ ପତ୍ର ଲେଖି ବିଭିନ୍ନ ସ୍ତରରେ ସରକାର ଓ ପ୍ରଶାସନ ବିରୋଧରେ ସୋସିଆଲ ମିଡ଼ିଆରେ ବିଷୋଦଗାର କରୁଥିବା ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକ ଚ଼ିହ୍ନଟ କରି ଜଣାଇବା ନିମନ୍ତେ କୁଆଡ଼େ ସୂଚ଼ିତ କରାଇଥିଲେ । ପ୍ରକାଶିତ ବିବରଣୀ ଅନୁଯାୟୀ ବିହାର ବିଧାନସଭା ବିରୋଧିଦଳ ନେତା ଏହି ପତ୍ରର ନକଲ ନିଜ ଟୁଇଟର ହେଣ୍ଡଲରେ ପ୍ରସାରିତ କରିଥିଲେ ।


 

ଆଲୋଚ୍ୟ ପତ୍ରରେ କୁହାଯାଇଥିଲା ଯେ କେତେକ ବ୍ୟକ୍ତି ଓ ସଂଗଠନ ନିୟମିତ ଭାବେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ସରକାର, ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ପ୍ରକାଶନ କରୁଥିବା ନଜରକୁ ଆସିବାରେ ଲାଗିଛି । ସଂପୃକ୍ତ ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକ ବିରୁଦ୍ଧରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବିଧେୟ । ଅଧିକାରୀମାନେ ଇକନୋମିକ ଅଫେନ୍ସ ୱିଙ୍ଗଠାରେ ଏ ସଂପର୍କୀତ ତଥ୍ୟ ଦାଖଲ କଲେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ।


 

ବିହାର ପୋଲିସର ଏହି ସର୍କୁଲାର ରାଜ୍ୟ ରାଜନୀତିକ ମହଲରେ ବାଦନୁବାଦ ସୃଷ୍ଟି କରିଥିଲା । ବିରୋଧିଦଳ ପକ୍ଷରୁ ଏତାଦୃଶ ଉଦ୍ୟମକୁ ହିଟଲରୀ ଶାସନ, ‘ତୋଗଲକୀ ଫରମାନ’ ନାମିତ କରାଯାଇ ଥିବା ସ୍ଥଳେ କ୍ଷମତାସୀନ ଦଳଗୁଡ଼ିକ ସମୟୋଚିତ ପଦକ୍ଷେପ ଚ଼ିତ୍ରଣ କରିଥିଲେ । ତେବେ ଘଟଣାକ୍ରମର ରାଜନୀତିକ ଓ ନୈତିକ ଦିଗଗୁଡ଼ିକୁ ବାଦଦେଇ ମୌଳିକଭାବେ ଗଣମାଧ୍ୟମ ଦୃଷ୍ଟିକୋଣରୁ ବିଶ୍ଳେଷଣ କଲେ ମହାମାରୀ-ପର ସାମାଜିକ ଆଙ୍ଗିକରେ ରାଷ୍ଟ୍ରୀୟସ୍ତରରେ ସଂଘଠିତ କେତେଗୋଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲକ୍ଷ୍ୟ କରାଯାଇପାରେ ।


 

ପ୍ରଥମତଃ, ଇଣ୍ଟରନେଟର ବ୍ୟାପ୍ତି ଓ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ଫଳରେ ସୋସିଆଲ ମିଡ଼ିଆ ଉପଭୋକ୍ତାଙ୍କ ସଂଖ୍ୟା ସମତୁଲ ଭାବେ ବଢ଼ି ଚାଲିଛି । ପ୍ରମୁଖ ମଞ୍ଚ ‘ଫେସବୁକ’ରେ ଭାରତୀୟ ଉପଭୋକ୍ତାଙ୍କ ସଂଖ୍ୟା ୨୦୨୦ ସୁଦ୍ଧା ୩୫ କୋଟିରେ ପହଞ୍ଚିଥିବା ସ୍ଥଳେ ‘ହ୍ୱାଟସଆପ’ରେ ୩୪ କୋଟି ଓ ୟୁଟ୍ୟୁବରେ ୩୨ କୋଟି ହିସାବ କରାଯାଇଥିଲା । ଅପରପକ୍ଷେ ଇଣ୍ଡିଆନ ରିଡ଼ରସିପ ସର୍ଭେ ୨୦୨୦ ପରିସଂଖ୍ୟାନ ଅନୁଯାୟୀ ଡ଼ିସେମ୍ୱର ୨୦୧୮ରୁ ମାର୍ଚ୍ଚ ୨୦୨୦ ସମୟସୀମାରେ ଦେଶର ଜନସାଧାରଣଙ୍କ ମଧ୍ୟରେ ୩୬ ପ୍ରତିଶତ ସମ୍ୱାଦପତ୍ର ଓ ୫ ପ୍ରତିଶତ ପତ୍ରପତ୍ରିକା ପାଠ କରୁଥିଲେ । ଟେଲିଭିଜନ ଦର୍ଶକ ସଂଖ୍ୟା ୭୬ ପ୍ରତିଶତ, ରେଡ଼ିଓ ଶ୍ରୋତା ସଂଖ୍ୟା ୨୦ ପ୍ରତିଶତ ଓ ଚଳଚ଼ିତ୍ର ଦର୍ଶକ ସଂଖ୍ୟା ୩ ପ୍ରତିଶତ ଥିବା ସ୍ଥଳେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୪୧ ପ୍ରତିଶତ ।


 

‘ଇନ-ମୋବି’ ପକ୍ଷରୁ ପ୍ରକାଶିତ ପରିସଂଖ୍ୟାନ ଅନୁଯାୟୀ ୨୦୨୦ରେ ଭାରତରେ ମାସିକଭିତ୍ତିରେ ସକ୍ରିୟ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୭୩ କୋଟି ୪୦ ଲକ୍ଷରେ ପହଞ୍ଚିଥିଲା । ଭାରତୀୟମାନଙ୍କ ମଧ୍ୟରେ ସମ୍ୱାଦପତ୍ର ଓ ପତ୍ରପତ୍ରିକା ପାଠ କରୁଥିବା ତଥା ଟେଲିଭିଜନ ଦେଖୁଥିବା ଉପଭୋକ୍ତାମାନଙ୍କୁ ଅପେକ୍ଷାକୃତ ଶିକ୍ଷିତ ଓ ଅର୍ଥନୀତିକ ଦୃଷ୍ଟିରୁ ସ୍ୱଚ୍ଛଳ ବିବେଚନା କରାଗଲେ ସେହିମାନେ ହିଁ ଇଣ୍ଟରନେଟ ଦ୍ୱାରା ସଂଯୁକ୍ତ, ସ୍ମାର୍ଟଫୋନ ବ୍ୟବହାରକାରୀ ତଥା ସୋସିଆଲ ମିଡ଼ିଆରେ ଉପସ୍ଥିତ ରହୁଥିବା ସୁସ୍ପଷ୍ଟ । ଆପାତତଃ ସେମାନେ ହିଁ ସାମାଜିକସ୍ତରରେ ନେତୃତ୍ୱ ନେଇଥାନ୍ତି ‘ଓପିନିଅନ ଲିଡ଼ର’ । ଅର୍ଥାତ ପାରମ୍ପରିକ ଗଣମାଧ୍ୟମର ଉପଭୋକ୍ତାଙ୍କ ମଧ୍ୟରେ ଶୀର୍ଷରେ ସ୍ଥାନିତ । ଯୁବ ବର୍ଗ ସୋସିଆଲ ମିଡ଼ିଆର ପାଠକ, ଶ୍ରୋତା ଓ ଦର୍ଶକ ।


 

ଦେଶର ସ୍ମାର୍ଟଫୋନ ବ୍ୟବହାର ଉପଭୋକ୍ତା ପିଚ୍ଛା ୨୦୨୦ରେ ହାରାହାରି ଦୈନିକ ସାଢ଼େ ଚାରିଘଣ୍ଟାକୁ ବୃଦ୍ଧି ପାଇଥିବା ହେତୁ ସମପରିମାଣରେ ସୋସିଆଲ ମିଡ଼ିଆରେ ଉପସ୍ଥିତ ରହୁଥିବା ଏବଂ ସେଥିରେ ସମ୍ୱାଦ ପ୍ରସାରଣରେ ପ୍ରଭାବିତ ହେଉଥିବା ନିଶ୍ଚିତ । କୋଭିଡ଼-୧୯ ମହାମାରୀ କାଳରେ ଦୀର୍ଘକାଳୀନ ଲକଡ଼ାଉନ କାରଣରୁ ଗୃହାବଦ୍ଧ ଅବସ୍ଥାରେ ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆ ବ୍ୟବହାର ବୃଦ୍ଧି ପାଇଥିଲେ ହେଁ ମହାମାରୀ-ପର ଅବସ୍ଥାରେ ସେହି ଅଭ୍ୟାସ ହ୍ରାସର ସମ୍ଭାବନା କମ । କାରଣ ଆନ୍ତର୍ଜାତିକସ୍ତରରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଇଣ୍ଟରନେଟ ଓ ସ୍ମାର୍ଟଫୋନ ବ୍ୟବହାର ସୀମା ଭାରତଠାରୁ ମହାମାରୀ-ପୂର୍ବାବସ୍ଥାରେ ମଧ୍ୟ ଢ଼େର ଅଧିକ ରହି ଆସିଥିଲା ।


 

ସୋସିଆଲ ମିଡ଼ିଆ ଏକ ପ୍ରଭାବଶାଳୀ ଗଣମାଧ୍ୟମରୂପେ ବିକଶିତ ହେଉଥିବା ଅବସରରେ ଏଥିରେ ସରକାର ଓ ପ୍ରଶାସନର ସମାଲୋଚନା ବିଶ୍ୱବ୍ୟାପୀ କ୍ଷମତାସୀନଙ୍କ ପକ୍ଷେ ଅସମାହିତ ସମସ୍ୟାରୂପେ ମୁଣ୍ଡ ଟେକିଛି । ଦ୍ୱିତୀୟତଃ, ସମ୍ୱାଦପତ୍ର, ଟେଲିଭିଜନ ଓ ରେଡ଼ିଓ ଭଳି ପାରମ୍ପରିକ ଗଣମାଧ୍ୟମ ସଂଖ୍ୟାଲଘୁ ସାମ୍ୱାଦିକ,ସମ୍ପାଦକ ଓ ପ୍ରକାଶକଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ବିନା ବାଛ ବିଚାରରେ ପ୍ରତ୍ୟେକ ଉପଭୋକ୍ତାଙ୍କୁ ସମ୍ୱାଦ ଓ ଅଭିମତ ପ୍ରକାଶନର ସୁଯୋଗ ଉପଲବ୍ଧ । ଅତ୍ୟନ୍ତ ଗର୍ହିତ ପ୍ରକାଶନଗୁଡ଼ିକହିଁ ସରକାର ଓ ନ୍ୟାୟପାଳିକାଙ୍କ ନିର୍ଦ୍ଦେଶ ବା ନୈତିକତା ଦୃଷ୍ଟିରୁ ମଞ୍ଚ ପରିଚାଳଙ୍କ ପକ୍ଷରୁ ହଟାଇ ଦିଆଯିବା ପ୍ରଥା ପ୍ରଚଳିତ । ଅତଏବ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଯେଉଁମାନଙ୍କ ସ୍ୱର ଅପହଞ୍ଚ ରହିଆସିଥିଲା ସେହିମାନଙ୍କ ପାଇଁ ସୋସିଆଲ ମିଡ଼ିଆ ମଞ୍ଚରେ ପ୍ରତିଧିନିତ୍ୱ ସମ୍ଭବ ହୋଇପାରିଛି ।


 

ତୃତୀୟତଃ, ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ସମ୍ୱାଦ ପ୍ରଯୋଜନା ନିମନ୍ତେ ବିଷୟ ଚୟନ ଅପରିଚିତ ସାମ୍ୱାଦିକ ଓ ସମ୍ପାଦକଙ୍କ ଦ୍ୱାରା ସମାହିତ ହେଉଥିବା ସ୍ଥଳେ ସୋସିଆଲ ମିଡ଼ିଆରେ ଉପଭୋକ୍ତାଙ୍କ ପରିଚ଼ିତ କିମ୍ୱା ସେମାନେ ଆଗ୍ରହାନ୍ୱିତ ଥିବା ବ୍ୟକ୍ତି ବା ସଂଗଠନ ଦ୍ୱାରା ପ୍ରଯୋଜିତ ସମ୍ୱାଦ ସେମାନଙ୍କ ନଜରକୁ ଆସିଥାଏ । ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ପ୍ରକାଶନଗୁଡ଼ିକ ନିଜ ଋଚି ଅନୁଯାଇ ନିର୍ବାଚିତ ‘ଫିଲଟର ବବୁଲ’ ଏବଂ ବାରମ୍ୱାର ପ୍ରତିବିମ୍ୱିତ ‘ଇକୋ ଚେମ୍ୱର’ରେ ରୂପାନ୍ତରିତ ହେବା ଦ୍ୱାରା ପ୍ରତିପକ୍ଷ ବା ବିରୋଧି ସମ୍ୱାଦ ଓ ଅଭିମତ ଅବଗତ ହେବା ସୁବିଧା ସୁଯୋଗ ପ୍ରତିରୋଧ ହେଉଥିଲେ ହେଁ ମାନବୀୟ ପ୍ରକୃତି ପ୍ରଭାବିତ ଉପଭୋକ୍ତାମାନେ ମୁଖ୍ୟତଃ ନିଜ ରୁଚି, ମତବାଦ ଓ ଆଦର୍ଶକୁ ଆପଣାଇଥାନ୍ତି । ଏହି କାରଣରୁ ସୋସିଆଲ ମିଡ଼ିଆ ବ୍ୟବହାରରେ ଅଭିବୃଦ୍ଧି ଏକ କ୍ରମାଗତ ପ୍ରକ୍ରିୟାରେ ପରିଣତ ହୋଇଛି ।


 

ଏହି ପରିବେଶ ସରକାର ଓ ପ୍ରଶାସନ ପକ୍ଷେ ପାରମ୍ପରିକ ଗଣମାଧ୍ୟମ ମଞ୍ଚ ଭଳି ବଶୀକରଣ କରିବା ସଂଭବ ହୋଇପାରୁ ନାହିଁ । ଚ଼ତୁର୍ଥତଃ, କୋଭିଡ଼-୧୯ ମହାମାରୀ ଅବସ୍ଥାରେ ମୁଦ୍ରିତ ଗଣମାଧ୍ୟମ, ମୁଖ୍ୟତଃ ସମ୍ୱାଦପତ୍ର ଓ ପତ୍ରପତ୍ରିକାଗୁଡ଼ିକ ଅର୍ଥନୀତିକ ମାନ୍ଦାବସ୍ଥା ହେତୁ ବିଜ୍ଞାପନ ଓ ବିଭିନ୍ନ କଟକଣା କାରଣରୁ ପ୍ରସାରଣ ଆୟ ସଂକୁଚିତ ହେବା ତଥା ଆଇନଗତ ବାଧ୍ୟବାଧକତାରେ ଏକାଂଶ ସରକାରୀ ଓ ପ୍ରଶାସନର ଅନୁଗ୍ରହର ପ୍ରାର୍ଥୀ ହୋଇପଡ଼ିଥିଲେ । ଫଳତଃ ଉପଭୋକ୍ତାଙ୍କ ବିଶ୍ୱସନୀୟତା ହରାଇଥିବା ସ୍ଥଳେ ସହଜରେ ଏହି ଗୋଲକଧନ୍ଦାରୁ ମୁକ୍ତିପାଇବା ସମ୍ଭବ ନୁହ । ଏହି ପରିବେଶ ସୋସିଆଲ ମିଡ଼ିଆକୁ ବିକଳ୍ପ ମଞ୍ଚ ପ୍ରସ୍ତୁତ ଲାଗି ସୁଯୋଗ ସୃଷ୍ଟି କରିଛି ।


 

ପଞ୍ଚମତଃ, ସ୍ମାର୍ଟଫୋନରେ ‘ହାଇ-ଡ଼େଫିନେସନ’ ପର୍ଦ୍ଦାରେ ଭିଡ଼ିଓ ଓ ପଠନ ସାମଗ୍ରୀ ପ୍ରକାଶନଲାଗି ସର୍ଜନଶୀଳ ଆଙ୍ଗିକ ‘ଟେମ୍ପଲେଟ’ ଉପଯୋଗରେ ସମ୍ୱାଦ ଆହରଣର ଅନୁଭୂତି ପାରମ୍ପରିକ ସମ୍ୱାଦପତ୍ର ଓ ଟେଲିଭିଜନକୁ ପଛରେ ପକାଇଦେଇଛି । ଡିଜିଟାଲ ମଞ୍ଚରେ ଆଗଧାଡ଼ିର ସମ୍ୱାଦପତ୍ର ଓ ଟେଲିଭିଜନ ମଞ୍ଚଗୁଡ଼ିକ ଅବତୀର୍ଣ୍ଣ ହେଉଥିବା ଏବଂ ଆନ୍ତର୍ଜାତିକସ୍ତରରେ ସବୁବର୍ଗରୁ ‘ଡ଼ିଜିଟାଲ-ଫାଷ୍ଟ’ ନୀତି ଅନୁସରଣ କରାଯାଉଥିବା ହେତୁ ସୋସିଆଲ ମିଡ଼ିଆର ଆକର୍ଷଣ ବୃଦ୍ଧି ପାଇଚାଲିବାରେ ଲାଗିଛି ।


 

ଏହି ପରିସ୍ଥିତିରେ ସରକାର ଓ ପ୍ରଶାସନ ପକ୍ଷରୁ ସୋସିଆଲ ମିଡ଼ିଆକୁ ଆୟତ୍ତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ ସ୍ୱାଭାବିକ । ବିହାର ପୋଲିସପକ୍ଷରୁ ସୋସିଆଲ ମିଡ଼ିଆରେ ସମାଲୋଚକମାନଙ୍କୁ ଖୋଜି ବାହାର କରି ଆଇନଗତ ମାମଲା ରୁଜୁ ନିମନ୍ତେ ପ୍ରସ୍ତୁତି ଏକ ଉଦାହରଣ । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଆରମ୍ଭରୁ ଭାରତରେ ସୋସିଆଲ ମିଡ଼ିଆ ପ୍ରସାର ଲାଭ କରିବା କାଳରୁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ପ୍ରତିରୋଧାତ୍ମକ ପଦକ୍ଷେପମାନ ଗ୍ରହଣ କରାଯାଇଛି । ପୋଲିସ ପ୍ରଶାସନର ମାତ୍ରାଧିକ କାର୍ଯ୍ୟକଳାପ ବିରୋଧରେ ଆଇନ ଅଦାଲତର ଦୃଷ୍ଟିକୁ ଅଣାଯିବାପରେ ସୁପ୍ରିମ କୋର୍ଟ ପକ୍ଷରୁ ଏକପକ୍ଷରେ ଅଭିବ୍ୟକ୍ତିର ଅଧିକାର ସୁରକ୍ଷା ସହ ଅପରପକ୍ଷରେ ଅଧିକାରର ଦୁରୋପଯୋଗ ନିୟନ୍ତ୍ରଣ ନିମନ୍ତେ ରାୟମାନ ପ୍ରଦାନ କରିଛନ୍ତି ।


 

କଥା ହେଲା ଭାରତୀୟ ସମ୍ୱିଧାନରେ ଧାରା ୧୯(୧)କ ଅଭିବ୍ୟକ୍ତିର ସ୍ୱାଧୀନତା ସହ ୧୯(୨)ରେ ଅଙ୍କୁଶର ପ୍ରାବଧାନ ରହିଛି । ମାନହାନୀ, ସତ୍ୱ ସଂରକ୍ଷଣ, ଅଦାଲତ ଓ ବ୍ୟବସ୍ଥାପକ ସଭା ଅବମାନନା, ସୂଚନା ବୈଷୟିକ ଆଇନ ଇତ୍ୟାଦି ବିଭିନ୍ନ ଦିଗରୁ ଆପତ୍ତିଜନକ ସମ୍ୱାଦ ଓ ଅଭିମତ ପ୍ରସାର ରୋକିବାକୁ ବିସ୍ତୃତ କ୍ଷେତ୍ର ପ୍ରସ୍ତୁତ କରିଥାଏ । ପ୍ରଶାସନ ପକ୍ଷରୁ ପ୍ରଚଳିତ ଆଇନ ଉପଯୋଗର ଅପରାଧିକ ମାମଲାମାନ ରୁଜୁ କରାଗଲେ ଦୀର୍ଘ ଅଦାଲତୀ କାରବାରରେ ଅଭିଯୁକ୍ତମାନେ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କାକୁ ଏଡ଼ାଇ ଦେଇ ହୁଏ ନାହିଁ । ମହାମାରୀ ଆଇନ କାଳରେ ସରକାର ଓ ପ୍ରଶାସନ ସୂଚନା ଓ ଅଭିମତ ପ୍ରକାଶନ କ୍ଷେତ୍ରରେ ନିରଙ୍କୁଶ କ୍ଷମତା ବର୍ଷକ କାଳ ଉପଭୋଗ କରିବା ପରେ ସୋସିଆଲ ମିଡ଼ିଆରେ କ୍ରମବର୍ଦ୍ଧମାନ ସମାଲୋଚନାରେ ବିବ୍ରତ ହେବା ସ୍ୱାଭାବିକ । ଫଳରେ ସଂଘର୍ଷ ଅନିବାର୍ଯ୍ୟ ।


 

ମେକ୍ସିକୋ ଭଳି ଦକ୍ଷିଣ ଆମେରିକା ରାଷ୍ଟ୍ରଗୁଡ଼ିକରେ ଗଣମାଧ୍ୟମରେ ସମାଲୋଚନା ଓ ଦୁର୍ନୀତି ପର୍ଦ୍ଦାଫାସକୁ କେନ୍ଦ୍ରକରି ସମ୍ୱାଦିକ ଓ ପ୍ରଶାସକମାନଙ୍କ ମଧ୍ୟରେ ତିକ୍ତତା ହିଂସାରେ ପରିଣତ ହେଉଥିବା ଉଦାହରଣ ଦେଖିବାକୁ ମିଳେ । ସେହିଭିଳି ପରିସ୍ଥିତି ଭାରତରେ ପ୍ରତିବିମ୍ୱିତ ହେବା ବିଚିତ୍ର ନୁହ । ସମାଲୋଚନାକୁ ନିୟନ୍ତ୍ରଣ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଚଳିତ ଆଇନାବଳୀ ଉପଯୋଗକୁ କେହି ରୋକି ପାରିବେ ନାହିଁ । ଆଇନକୁ କଡ଼ାକଡ଼ି ପାଳନ କରିବା ନିମନ୍ତେ ୨୦୨୧ରେ ବିଧିବିଧାନକୁ ପରିମାର୍ଜିତ କରିବା ନିତିଦିନିଆ ବ୍ୟାପାର ପରିଣତ ହୋଇପାରେ । ‘ପ୍ରାଇସ ୱାଟରହାଉସ କୁପର-ଇଣ୍ଡିଆ’  ପକ୍ଷରୁ ସାଇବର ସିକ୍ୟୁରିଟି ସଂପର୍କରେ ଜାନୁୟାରୀ ୨୦୨୧ ତୃତୀୟ ସପ୍ତାହରେ ପ୍ରକାଶିତ ଏକ ବିବରଣୀରେ ବିଶ୍ୱବ୍ୟାପୀ ଡିଜିଟାଲ ମଞ୍ଚ ବିରୋଧରେ ଆଇନକାନୁନ ବ୍ୟାପକ ଉପଯୋଗର ପୂର୍ବନୁମାନ କରାଯାଇଛି । ସୋସିଆଲ ମିଡ଼ିଆ ସେଥିରୁ ବାଦ ଯିବ ନାହିଁ ବୋଲି ବିଶ୍ୱାସ କରାଯାଇପାରେ । ଫଳରେ ସରକାର, ପ୍ରଶାସନ ସହ ଗଣମାଧ୍ୟମ, ସୋସିଆଲ ମିଡ଼ିଆର ସମୀକରଣରେ ଉତ୍ତେଜନାମୂଳକ ପରିବେଶ ଲାଗି ରହିବ ।    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଜାନୁୟାରୀ ୨୦୨୧


ତଥ୍ୟ:



Bihar cop : offensive anti-gov to social media posts cyber crime. The Times of India. (Bhubaneswar Edition). January 23, 2021.


 

Offensive posts against Bihar Ministers may land you in jail. The Hindu (Cuttack Edition). January 23, 2021.


 

Tejaswi, Mini. ‘Cyber security trends turned unpredictable after COVID’. The Hindu (Cuttack Edition). January 24, 2021.

ଭାରତରେ ଫେସବୁକ

ଭାରତରେ ‘ଫେସବୁକ’ର ମାସିକ ସକ୍ରିୟ ଉପଭୋକ୍ତା ସଂଖ୍ୟା ୨୦୨୧ ଜୁଲାଇ ମାସ ସୁଦ୍ଧା ୪୧ କୋଟି ୬୦ ଲକ୍ଷରେ ପହଞ୍ଚିଥିବା ସଂପୃକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି । ଏଥିମଧ୍ୟରୁ ୨୩ କୋଟି ୪୦ ଲକ୍ଷ ଉପଭୋକ୍ତା ଦୈନିକଭିତ୍ତିରେ ମଞ୍ଚରେ ଉପସ୍ଥିତ ରହିଥାନ୍ତି । ଉପଭୋକ୍ତାମାନଙ୍କ ମଧ୍ୟରେ ‘ଫେସବୁକ’ର ଅନ୍ୟ ଉତ୍ପାଦ ‘ମେସେଞ୍ଜର’ ଓ ‘ଇନଷ୍ଟାଗ୍ରାମ’ ଉପଯୋଗରେ ପରସ୍ପର ମଧ୍ୟରେ ବାର୍ତ୍ତା ବିନିମୟ ହାର ବିଗତ ବର୍ଷକ ମଧ୍ୟରେ ୪୦ ପ୍ରତିଶତ ବଢ଼ିଥିଲା ଏବଂ ସର୍ଟ-ଭିଡ଼ିଓ-ଚ୍ୟାନେଲ ‘ରିଲ’ରେ ଦୈନିକ ୬୦ ଲକ୍ଷ ଯାଏଁ ଭିଡ଼ିଓ ଅପଲୋଡ଼ ହୋଇଥାଏ ।


 

‘ଫେସବୁକ ଇଣ୍ଡିଆ’ର ପରିଚାଳନା ନିର୍ଦ୍ଦେଶକ ଅଜିତମୋହନ ମହାମାରୀଜନିତ ପରିବର୍ତ୍ତିତ ପରିବେଶରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ଏବଂ ଅନଲାଇନ ଉପସ୍ଥିତି ଅବଧି ବୃଦ୍ଧି ନିଜ ମଞ୍ଚର ପ୍ରସାରରେ ସହାୟକ ହୋଇଥିବା ସ୍ୱୀକାର କରନ୍ତି । ‘ଫେସବୁକ’ କ୍ରମଶଃ ଗୋଷ୍ଠୀଗତସ୍ତରରେ ବାର୍ତ୍ତା ବିନିମୟ ମଞ୍ଚରୁ ଉନ୍ନୀତ ହୋଇ ବୃହତ୍ତର ପରିଧିରେ ସମ୍ୱାଦ ପ୍ରସାରଠାରୁ ଆରମ୍ଭ କରି ରାଜନୀତିକ ଚର୍ଚ୍ଚାଲାଗି ସାମର୍ଥ୍ୟ ହାସଲ କରିପାରିଛି । ଉପଭୋକ୍ତା ସଂଖ୍ୟା ଓ ବ୍ୟବହାର ବୃଦ୍ଧି କାରଣରୁ ଏହି ବିଭବଗୁଡ଼ିକ ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ଗୁରୁତ୍ୱ ବହନ କରେ ।


 

ପ୍ରଥମତଃ, ସାଧାରଣ ନାଗରିକ ପକ୍ଷେ ବିନା ବ୍ୟୟରେ କେବଳ ଇଣ୍ଟରନେଟ ସଂଯୁକ୍ତି ଯୋଗେ ବାର୍ତ୍ତା ବିନିମୟ ପାଇଁ ଗୋଷ୍ଠୀ ଗଠନ ଏବଂ ବୃହତ ଗୋଷ୍ଠୀରେ ଯୋଗଦାନ ସୁବିଧା ସୁଯୋଗ ‘ଫେସବୁକ’ର ପ୍ରମୁଖ ଅବଦାନ । ବିନା ପ୍ରତିବନ୍ଧକରେ ନିଜ ମତ ପାଠ୍ୟ, ଚ଼ିତ୍ର ଓ ଦୃଶ୍ୟ ମାଧ୍ୟମରେ ସଂଗଠିତ ଗୋଷ୍ଠୀରେ ଉପସ୍ଥାପନ କରିପାରିବା ତଥା ଅନ୍ୟମାନଙ୍କ ଦ୍ୱାରା ପ୍ରସାରିତ ଉପାଦାନ ଆହରଣ ଯୋଗାଯୋଗ ପ୍ରକ୍ରିୟାରେ ପୂର୍ଣ୍ଣତା ଭରିଥାଏ । ପାରମ୍ପରିକ ଗଣମାଧ୍ୟମ ସମ୍ୱାଦପତ୍ର, ରେଡ଼ିଓ ଓ ଟେଲିଭିଜନରେ ଗୋଟିଏ ସୂତ୍ରରୁ ବହୁ ସଂଖ୍ୟକ ପାଠକ, ଶ୍ରୋତା ଓ ଦର୍ଶକଙ୍କ ମଧ୍ୟରେ ସମ୍ୱାଦ, ଅଭିମତ ଓ ସୃଜନ ପ୍ରସାରିତ ହେଉଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚରେ ଉପଭୋକ୍ତା ଉଭୟ କାର୍ଯ୍ୟରେ ସାମର୍ଥ୍ୟ ହାସଲ କରିଥାଏ । ପାରମ୍ପରିକ  ଗଣମାଧ୍ୟମରେ ନାମକୁ ମାତ୍ର ପାଠକୀୟ ପ୍ରତିକ୍ରିୟା ପ୍ରସାରଣର ସୁବିଧା ଥିବା ସ୍ଥଳେ ସୋସିଆଲ ମିଡ଼ିଆରେ ପ୍ରତ୍ୟେକସ୍ତରରେ ପ୍ରଶ୍ନ, ଅଭିମତ ଓ ସଂଯୋଗର ସୁବିଧା ଉପଲବ୍ଧ ।


 

ଦ୍ୱିତୀୟତଃ, ‘ଫେସବୁକ’ ମଞ୍ଚରେ ସାଧାରଣ ଉପଭୋକ୍ତା, ପ୍ରତିଷ୍ଠିତ ସଂସ୍ଥା କିମ୍ୱା ରାଜନୀତିକ ବ୍ୟକ୍ତିତ୍ୱ ନିଜ ବାର୍ତ୍ତା ଉପସ୍ଥାପନରେ ଅଳଂକରଣ ଓ ବୈଷୟିକ ଦୃଷ୍ଟିରୁ ସମାନତା ଉପଭୋଗ କରିଥାନ୍ତି । ଏହି କ୍ଷେତ୍ରରେ ସାଧାରଣ ଉପଭୋକ୍ତାର ଗୁରୁତ୍ୱ ମଞ୍ଚ ପ୍ରତି ତାହାରି ଅନୁଗତ୍ୟରେ ପ୍ରବର୍ତ୍ତିତ ହୋଇଥାଏ । ଉନ୍ନତ କାରିଗରୀ କୌଶଳ ଉପଯୋଗରେ ସୃଜନ ପ୍ରସାରଣର ସୁବିଧା ଉପଭୋକ୍ତା ସଂପୃକ୍ତିର ଅନ୍ୟତମ କାରଣ । ‘ଫେସବୁକ’ ପ୍ରଚଳନର ପ୍ରାକକାଳରେ ସେଲଫି ପ୍ରକାଶନ ଧାରା ପରବର୍ତ୍ତୀ ପର୍ଯ୍ୟାୟରେ ସର୍ଟ ଭିଡ଼ିଓ ପ୍ରସାରଣରେ ପରିବର୍ତ୍ତିତ ହୋଇଛି । ‘ରିଲ’ରେ ଉପଭୋକ୍ତାଙ୍କ ଦ୍ୱାରା ପ୍ରତିଦିନ ୬୦ ଲକ୍ଷ ଯାଏଁ ସର୍ଟ ଭିଡ଼ିଓ ପ୍ରସ୍ତୁତି ଓ ପ୍ରସାରଣ ଏହାର ପ୍ରମାଣ ଦିଏ ।


 

ତୃତୀୟତଃ, ‘ଫେସବୁକ’ରେ ନିଜସ୍ୱ ନିର୍ଦ୍ଧାରଣରେ ପ୍ରକାଶକ ଓ ଦର୍ଶକ ଚୟନ କ୍ଷମତା ଉପଭୋକ୍ତାଙ୍କୁ ମାନବ ସଭ୍ୟତା ବିକାଶର ଆଦିମ ଯୋଗାଯୋଗ ସ୍ତରକୁ ଫେରାଇ ନେଇଛି । ଗଣମାଧ୍ୟମର ବିକାଶ କାଳରେ ସାଧାରଣ ଉପଭୋକ୍ତାର ନିର୍ଭରଶୀଳ ଓ ନିର୍ଯ୍ୟାତିତ ଯୋଗାଯୋଗ ଅଧିକାର ପୁନର୍ବାର ସଶକ୍ତ ହୋଇପାରିଛି । ପାରମ୍ପରିକ ଗଣମାଧ୍ୟମରେ ସମସ୍ତ ନାଗରିକଙ୍କ ପାଇଁ ସମ ଅଧିକାର ରହିଥିଲେ ହେଁ ବାସ୍ତବକ୍ଷେତ୍ରରେ ଗଣମାଧ୍ୟମ ମଞ୍ଚ ନିର୍ମାଣ ଓ ପରିଚାଳନାରେ ବିପୁଳ ଆର୍ଥିକ ନିବେଶ ସମସ୍ତଙ୍କ ଯୋଗାଯୋଗ ଆକାଂକ୍ଷା ପୂରଣ କରିପାରୁନଥିଲା । ତେବେ ସୋସିଆଲ ମିଡ଼ିଆ ମଞ୍ଚ ସେହି ପରିବେଶର ବିକଳ୍ପ ସୃଷ୍ଟିରେ ସକ୍ଷମ ହୋଇପାରିଛି ।


 

ଚତୁର୍ଥତଃ, ଫେସବୁକ ତଥା ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ମଞ୍ଚରେ ଉପଭୋକ୍ତାଗଣ ନିଜ ରୁଚ଼ି ଅନୁଯାୟୀ ପ୍ରକାଶକ ତଥା ପାଠକ, ଶ୍ରୋତା ଓ ଦର୍ଶକ ନିର୍ବାଚନ କରି ସେମାନଙ୍କ ଦ୍ୱାରା ପ୍ରସାରିତ ସମ୍ୱାଦ, ଅଭିମତ ଓ ଅଭିଜ୍ଞତା ସଂସ୍ପର୍ଶରେ ଆବଦ୍ଧ ରହନ୍ତି । ଏକପକ୍ଷରେ ଏହି ପରିବେଶରେ ଦୈନିକଭିତ୍ତିରେ ଦୀର୍ଘକାଳ ଅତିବାହିତ କରୁଥିବା ସ୍ଥଳେ ଅପରପକ୍ଷରେ ବିକଳ୍ପ ପରିବେଶର ଧାର ହିଁ ମାଡ଼ନ୍ତି ନାହିଁ । ଫଳରେ ନିର୍ବାଚିତ ଏକକ ମତବାଦ ‘ଫିଲଟର-ବବୁଲ’ରେ ମାନସପଟ ପ୍ରତିଧ୍ୱନିତ ‘ଇକୋ-ଚେମ୍ୱର’ ହୋଇଥାଏ । ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଧରଣର ଅଭ୍ୟାସ ପ୍ରସାରଣ ମଞ୍ଚ ପ୍ରତି ମାତ୍ରାଧିକ ଅନୁଗତ୍ୟର କାରଣ ପାଲଟିଯାଏ । ପ୍ରଭାତରେ ଶଯ୍ୟା ତ୍ୟାଗ ପରେ ପ୍ରଥମେ ‘ଫେସବୁକ’ ବ୍ରାଉଜ କରିବା ତଥା ରାତିରେ ଶୋଇବା ପୂର୍ବରୁ ଫେସବୁକ ବ୍ରାଉଜ କରିବା ଅଭ୍ୟାସର ଉଦାହରଣର ଅଭାବ ନଥାଏ । ‘ଫେସବୁକ’ର ମାଦକତାରେ ବିମୋହିତ ହେବା ଦ୍ୱାରା ବ୍ରାଉଜିଂ ଅଭିଜ୍ଞତା ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗରେ ପରିଣତ ହୁଏ ।


 

ପଞ୍ଚମତଃ, ‘ଫେସବୁକ’ ମଞ୍ଚ ପକ୍ଷରୁ ପ୍ରତ୍ୟେକ ଉପଭୋକ୍ତାଙ୍କ ଏକାଉଣ୍ଟରେ ପ୍ରଦର୍ଶନ ନିମନ୍ତେ ପୋଷ୍ଟ ଚୟନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଭଳି ଉନ୍ନତ ବୈଷୟିକ କୌଶଳ ବ୍ୟବହାର ସ୍ଥଳବିଶେଷରେ ଉପଭୋକ୍ତାକୁ ପ୍ରଭାବିତ କରିବା ନିମନ୍ତେ ଅଭିପ୍ରେତ । ସେହିପରି ମଞ୍ଚରେ ଅସତ୍ୟ ସମ୍ୱାଦ, ଅରୁଚିକର ଅଭିମତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବିଷୟବସ୍ତୁ ପ୍ରଦର୍ଶନ ମୁକ୍ତ ଯୋଗାଯୋଗ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଯୁକ୍ତରାଷ୍ଟ୍ର ଆମେରିକାରେ ‘ଫେସବୁକ’ ମଞ୍ଚରେ ରାଜନୀତିକ ଅଭିସନ୍ଧିଠାରୁ ଆରମ୍ଭ କରି କୋଭିଡ଼ ପ୍ରତିଷେଧକ ଟିକାକୁ ବିରୋଧ ଭଳି ଅଭିଯାନ ଆୟୋଜନ ଉଦାହରଣ ସାମାଜିକ ବିଶୃଙ୍ଖଳା ସୃଷ୍ଟିରେ ସୋସିଆଲ ମିଡ଼ିଆର ଭୂମିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥାଏ ।


 

ଭାରତରେ କେନ୍ଦ୍ର ସରକାରଙ୍କ ସୂଚ଼ନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରବର୍ତ୍ତିତ ‘ନୂତନ ଡ଼ିଜିଟାଲ ମିଡ଼ିଆ ନିୟମ ୨୦୨୧’ ଅନୁପାଳନରେ ‘ଫେସବୁକ’ ପକ୍ଷରୁ ପ୍ରଥମ ମାସିକ ବିବରଣୀ ଜୁଲାଇ ମଧ୍ୟଭାଗରେ ପ୍ରକାଶିତ ହୋଇଥିଲା । ଜନସାଧାରଣଙ୍କ ଅଭିଯୋଗ ମୀମାଂସା ଉପକ୍ରମରେ ମେ’ ୧୫ରୁ ଜୁନ ୧୫ ମାସକ ମଧ୍ୟରେ ମଞ୍ଚ ୬୪୬ ଗୋଟି ଅଭିଯୋଗ ପାଇଥିବା ଏବଂ ସମସ୍ତ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିବରଣୀରେ ଦର୍ଶାଯାଇଥିଲା । ପ୍ରାପ୍ତ ଅଭିଯୋଗଗୁଡ଼ିକ ମୁଖ୍ୟତଃ ଗାଳିମନ୍ଦ, ନଗ୍ନତା ଓ ନକଲି ବ୍ୟକ୍ତିତ୍ୱ ‘ଫେକ-ପ୍ରୋଫାଇଲ’ ପର୍ଯ୍ୟାୟଭୁକ୍ତ ଥିଲା । ଏତଦ୍ ବ୍ୟତୀତ ମଞ୍ଚ ପକ୍ଷରୁ ସାଧାରଣ ଭାବେ ‘ଫେସବୁକ’ରେ ପ୍ରକାଶିତ ପାଠ୍ୟ ଅନୁଧ୍ୟାନ କରି ଦଶଗୋଟି ଆପତ୍ତିମୂଳକ ଶ୍ରେଣୀର ପ୍ରକାଶନ ହଟାଇ ଦିଆଯାଇଥାଏ । ଏଥିଲାଗି ମୁଖ୍ୟତଃ ଯାନ୍ତ୍ରିକ ଅନୁଶୀଳନ ବ୍ୟବସ୍ଥା ବ୍ୟବହୃତ । ଆଲୋଚ଼୍ୟ ସମୟସୀମା ମାସକ ମଧ୍ୟରେ ପ୍ରାୟ ତିନି କୋଟି ପାଠ୍ୟ ଅପସାରଣ କରାଯାଇଥିବା ମଧ୍ୟ ‘ଫେସବୁକ’ ପକ୍ଷରୁ ସୂଚନା ଦିଆଯାଇଥିଲା ।


 

ଭାରତ ସମେତ ପୂର୍ବ-ଏସୀୟ ରାଷ୍ଟ୍ରଗୁଡ଼ିକରେ ‘ଫେସବୁକ’ ସୋସିଆଲ ମିଡ଼ିଆ ପରିସରରେ ସର୍ବାପେକ୍ଷା ଲୋକପ୍ରିୟ ମଞ୍ଚରେ ପରିଣତ ହୋଇଛି । ଇତି ମଧ୍ୟରେ ଅଡ଼ିଓ ଓ ନିଉଜଲେଟର ଭଳି ନୂତନ ବିଭବମାନ ସଂଯୋଗ ମଞ୍ଚକୁ ଅଧିକ ଆକର୍ଷଣୀୟ କରିବା ଆଶା କରାଯାଏ ।     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଜୁଲାଇ ୨୦୨୧


ତଥ୍ୟ:



Dasgupta, Surajeet. Second coming of social media has a business peg : Facebook India head. Business Standard  (Bhubaneswar Edition) July 7, 2021


 

FB : Received 646 reports via grievance mechanism. Business Standard  (Bhubaneswar Edition) July 16, 2021. 

ମିଆଁମାରରେ ଫେସବୁକ

ମିଆଁମାରରେ ୨୦୨୧ ଫେବୃୟାରୀ ପହିଲାରେ ସାମରିକ ଶାସନ ଲାଗୁ କରାଯିବାପରେ ସୋସିଆଲ ମିଡ଼ିଆ ପ୍ରସାରଣ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାରମ୍ଭିକ ଭାବେ ଫେସବୁକକୁ ପାଞ୍ଚ ଦିନ ବନ୍ଦ କରାଯିବା ପରେ ସେଥିସହ ମେସେଞ୍ଜର, ଇନଷ୍ଟାଗ୍ରାମ, ଟୁଇଟର ଇତ୍ୟାଦି ମଞ୍ଚକୁ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ବନ୍ଦ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ଘଟଣାକ୍ରମରୁ ପରିବର୍ତ୍ତିତ ପରିବେଶରେ ଜନଜୀବନରେ ସୋସିଆଲ ମିଡ଼ିଆର ଆଧିପତ୍ୟ ପ୍ରମାଣିତ ହୋଇଥାଏ ।


 

ମିଆଁମାରର ଜନସଂଖ୍ୟା ପାଞ୍ଚ କୋଟି ଚାଳିଶି ଲକ୍ଷ । ସେଥିମଧ୍ୟରୁ ଅର୍ଦ୍ଧେକ, ପ୍ରାୟ ଦେଢ଼ରୁ ତିନି କୋଟି ଫେସବୁକ ଉପଭୋକ୍ତା । ସାଧାରଣରେ ଆନ୍ତର୍ଜାତିକସ୍ତରରେ ପୂର୍ବ-ଏସୀୟ ରାଷ୍ଟ୍ରଗୁଡ଼ିକରେ ସୋସିଆଲ ମିଡ଼ିଆର ପ୍ରଚଳନ ଅଧିକ । ୨୦୨୧ ସୁଦ୍ଧା ମିଆଁମାର ନାଗରିକଙ୍କ ଇଣ୍ଟରନେଟ ବ୍ୟବହାରରେ ଫେସବୁକ ପ୍ରାଧାନ୍ୟ ଲାଭ କରିଥିଲା । ଗଣମାଧ୍ୟମ ବିଶ୍ଳେଷକଙ୍କ ମତରେ ମିଆଁମାରରେ ସାଧାରଣ ନାଗରିକ ଇଣ୍ଟରନେଟ କହିଲେ ଫେସବୁକକୁ ବୁଝିଥାନ୍ତି ।


 

ମିଆଁମାରରେ ସାମରିକ ଶାସନ ଲାଗୁ ହେବା ଢେର ପୂର୍ବରୁ ଫେସବୁକରେ ରାଜନୀତିକ ଚର୍ଚ୍ଚା ଜୋର ଧରିଥିଲା । ବିପରୀତପକ୍ଷରେ ସେନାବାହିନୀ ପ୍ରୋତ୍ସାହନରେ ରାଜନୀତିକ ଦଳ ବିରୋଧୀ ପୋଷ୍ଟମାନ ଘୁରିବୁଲୁଥିଲା । ସେଠାରେ ୨୦୨୦ ନଭେମ୍ୱର ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସାମରିକ ସୂତ୍ରରୁ ନିର୍ବାଚନରେ ତୃଟିବିଚ୍ୟୁତି ସଂପର୍କରେ ସମାଲୋଚନା କରାଯାଇ ଆସୁଥିଲା । ରଏଟରର ବିବରଣୀ ଅନଯାୟୀ ସାମରିକ ଶାସନ ପ୍ରତିଷ୍ଠାର ୪୮ ଘଣ୍ଟା ପୂର୍ବରୁ ଦେଶର ଶାସନଭାର ସାମରିକବାହିନୀ ଅକ୍ତିଆର କରିବା ଦାବୀ ସପକ୍ଷରେ ଯୁକ୍ତି ବଢ଼ାଯାଉଥିଲା । ଏପରିକି ସେନାବାହିନୀର ଶାସନଭାର ଗ୍ରହଣ ସଂପର୍କୀତ ଧାରା ବିବରଣୀ ମଧ୍ୟ ମିଆଁମାର ନାଗରିକ ଫେସବୁକରୁ ହିଁ ଅବଗତ ହୋଇଥିଲେ । ତେବେ ସାମରିକ ଶାସନ ବିରୁଦ୍ଧରେ ଜନସାଧାରଣଙ୍କ ପକ୍ଷରୁ ବିକ୍ଷୋଭ ଆରମ୍ଭ ହେବା ପରେପରେ ସେନା ପ୍ରଶାସନ ପକ୍ଷରୁ ଫେସବୁକ ପ୍ରସାରଣ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା ।


 

ମିଆଁମାରରେ ଚାରୋଗୋଟି ପ୍ରମୁଖ ଟେଲିଯୋଗାଯୋଗ ସଂସ୍ଥା କାର୍ଯ୍ୟରତ । ସେଥି ମଧ୍ୟରୁ ‘ଏମପିଟି’, ସରକାରୀ ପରିଚାଳନାଧୀନ ଥିବା ସ୍ଥଳେ, ନେଦରଲ୍ୟାଣ୍ଡର ‘ଟେଲିନର’ ଓ କୁଏତର ‘ଓରେଡୋ’ ଅନ୍ୟ ଦୁଇ ପ୍ରମୁଖ ସଂସ୍ଥା  । ସେନାବାହିନୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀଙ୍କୁ ସୋସିଆଲ ମିଡ଼ିଆ ପ୍ରସାରଣ ବ୍ଳକ କରିବା ନିମନ୍ତେ ଆଦେଶ ଦେଇଥିଲେ ।


 

ମିଆଁମାରରେ ଇଣ୍ଟରନେଟ ଅତ୍ୟନ୍ତ ନାଟକୀୟ ପରିବେଶରେ ପ୍ରସାରଲାଭ କରିଥିଲା । ସେଠାରେ ବ୍ରିଟିଶ ଉପନିବେଶ ୧୮୨୪ରେ ପ୍ରତିଷ୍ଠିତ ହୋଇଥିଲା ଏବଂ ୧୯୪୮ରେ ବୈଦେଶିକ ଶାସନରୁ ମୁକ୍ତ ହୋଇଥିଲା । ତେବେ ୧୯୬୨ରୁ ୨୦୧୧ ଯାଏଁ ପଚାଶ ବର୍ଷ ଧରି ମିଆଁମାରରେ ସାମରିକ ଶାସନ ଲାଗି ରହିଥିଲା । ଗଣତନ୍ତ୍ର ପ୍ରତିଷ୍ଠାଲାଗି ଆନ୍ଦୋଳନ ୧୯୮୯ରୁ ଆରମ୍ଭ ହୋଇ ଦୀର୍ଘ ସଂଘର୍ଷପରେ ୨୦୧୧ରେ ସୀମିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଲାଗୁ ହୋଇଥିଲା ।


 

ସାମରିକ ଶାସନ କାଳରେ ଇଣ୍ଟରନେଟ ପ୍ରସାର ନିମନ୍ତେ ଧ୍ୟାନ ଦିଆଯାଇନଥିଲା । ସରକାରୀ କର୍ତ୍ତୃତ୍ୱାଧୀନ ‘ଏମପିଟି’ର ଇଣ୍ଟରନେଟ ସେବା ଅତ୍ୟନ୍ତ ଖର୍ଚ୍ଚ ବହୁଳ ରହିଥିଲା । ୨୦୧୧ରେ ସରକାରୀସ୍ତରରେ ଟେଲିଯୋଗାଯୋଗ ପ୍ରସାର ନିମନ୍ତେ କୋହଳ ନୀତିରେ ୨୦୧୪ରେ ଘରୋଇ କମ୍ପାନୀଗୁଡ଼ିକୁ ବ୍ୟବସାୟଲାଗି ସୁଯୋଗ ମିଳିଲା ଏବଂ ଇଣ୍ଟରନେଟର ବ୍ୟାପକ ପ୍ରସାର ଘଟିଲା । ଅତି କମ ସମୟ ମଧ୍ୟରେ ମୋବାଇଲ ଫୋନ ମିଆଁମାର ଜନଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଗଲା ।


 

ମିଆଁମାରର ୯୦ ପ୍ରତିଶତ ଅଧିବାସୀ ବୌଦ୍ଧ ଧର୍ମାବଲମ୍ୱୀ । ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ସମେତ ପ୍ରାୟ ଦେଢ଼ ଶହ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ସେଠାରେ ବସବାସ କରନ୍ତି । ବ୍ରିଟିଶ ଶାସନ ଅମଳରୁ ଜାତୀୟବାଦୀ ବୌଦ୍ଧ ଧର୍ମାବଲମ୍ୱୀଙ୍କ ସହ ଅନ୍ୟ ସଂପ୍ରଦାୟଗୁଡ଼ିକ ମଧ୍ୟରେ ସଂଘର୍ଷ ଲାଗି ରହିଛି । ବ୍ରିଟିଶ ଶାସନକାଳରେ ବହୁ ସଂଖ୍ୟକ ଭାରତୀୟ ସେଠାରେ ପ୍ରଶାସନ ଓ ବ୍ୟବସାୟରେ ଅବସ୍ଥାପିତ ହୋଇଥିଲେ । ତେବେ ମିଆଁମାରର ସ୍ୱାଧୀନତାପରେ ଉଗ୍ରଜାତୀୟବାଦୀ ନୀତି ହେତୁ ଅଧିକାଂଶ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ ।


 

ବୌଦ୍ଧ ଓ ମୁସଲମାନ ଧର୍ମାବଲମ୍ୱୀମାନଙ୍କ ମଧ୍ୟରେ ସଂଘର୍ଷ ଆନ୍ତର୍ଜାତିକସ୍ତରରେ ଦୃଷ୍ଟି ଆକର୍ଷଣ କରିଥାଏ । ମୁଖ୍ୟତଃ ରାଇକିନା ପ୍ରଦେଶର ରୋହିଙ୍ଗା ମୁସଲମାନମାନଙ୍କ ସହ ସଂଘର୍ଷରେ ପ୍ରାୟ ସାତ ଲକ୍ଷ ଶରଣାର୍ଥୀଭାବେ ଦେଶ ଛାଡ଼ି ଚାଲି ଆସିଛନ୍ତି । ବୌଦ୍ଧ ଓ ରୋହିଙ୍ଗାଙ୍କ ମଧ୍ୟରେ ସାଂପ୍ରଦାୟିକ ସଂଘର୍ଷ କାଳରେ ଫେସବୁକର ବ୍ୟବହାରରେ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଥିବା ଜାତିସଂଘ ପର୍ଯ୍ୟବେକ୍ଷକଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଫେସବୁକ କର୍ତ୍ତୃପକ୍ଷ ମଧ୍ୟ ଏଦିଗରେ ନିଜର ଦୁର୍ବଳତା ସ୍ୱୀକାର କରିଥିଲେ ।


 

ଉଦାହରଣରେ ୨୦୧୨ରୁ ସମ୍ପ୍ରଦାୟିକ ସଂଘର୍ଷ ଉତ୍କଟରୂପ ଧାରଣ କରିଥିବା ଅବସରରେ ୨୦୧୪ରେ ଜନୈକ ବୌଦ୍ଧ ସନ୍ୟାସୀ ଏକ ବୌଦ୍ଧ ବାଳିକାକୁ ଗଣବଳତ୍କାର କରାଯାଇଥିବା ଅଭିଯୋଗ ଫେସବୁକରେ ପୋଷ୍ଟ କରିଥିଲେ । ଏହା ବ୍ୟାପକ ଭାଇରଲ ହେବାପରେ ଅଭିଯୁକ୍ତମାନଙ୍କ ଉପରେ ଗୋଷ୍ଠୀଗତ ଆକ୍ରମଣ ହୋଇଥିଲା । ଏଥିରେ ଦୁଇଜଣ ପ୍ରାଣ ହରାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ପୋଲିସ ଅନୁସନ୍ଧାନରୁ ଧର୍ଷଣ ଘଟଣାଟି ଅତିରଞ୍ଜିତ ରୂପେ ପ୍ରଚାର କରାଯାଇଥିବା ପ୍ରମାଣିତ ହୋଇଥିଲା ।


 

ମିଆଁମାରରେ ଫେସବୁକ ୨୦୧୦ରେ ପ୍ରବେଶ କରିଥିଲା । ସେଠାରେ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଚ୍ୟାନେଲରୁ ଏକାଂଶ ସରକାରଙ୍କ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷ ତତ୍ତ୍ୱବଧାନରେ ପରିଚାଳିତ ହେଉଥିବା ହେତୁ ଜନସାଧାରଣ ଫେସବୁକକୁ ବିକଳ୍ପ ଗଣମାଧ୍ୟମ ରୂପେ ବ୍ୟବହାର କରୁଥିବା ଦେଖିବାକୁ ମିଳେ । ବିଗତ କିଛି ସମୟ ଧରି ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର ଓ ସେନାବାହିନୀ ମଧ୍ୟରେ ସଂଘର୍ଷପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାପରେ ଫେସବୁକରେ ଆରୋପ-ପ୍ରତ୍ୟାରୋପ ବୃଦ୍ଧି ପାଇବାକୁ ଲାଗିଥିଲା ।


 

ଏଭଳି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଫେସବୁକ ପକ୍ଷରୁ ୨୦୧୮ରେ ସେନାବାହିନୀର ୨୦ଜଣ ପଦସ୍ଥ କର୍ମକର୍ତ୍ତାଙ୍କ ଫେସବୁକ ପେଜ ବ୍ଳକ କରାଯାଇଥିଲା । ୨୦୨୦ ନଭେମ୍ୱର ନିର୍ବାଚନ ପୂର୍ବରୁ ମଧ୍ୟ ୭୦ ଗୋଟି ନକଲି ଫେସବୁକ ଏକାଉଣ୍ଟ ଠାବ କରାଯାଇ ବନ୍ଦ କରିଦିଆଯାଇଥିଲା । ସେନାର କ୍ଷମତା ଦଖଲ ପରେ ଏହାର ବିରୋଧକରି ସୃଷ୍ଟି କରାଯାଇଥିବା ଏକ ଫେସବୁକ ପେଜରେ ତତକ୍ଷଣତ ଦୁଇଲକ୍ଷ ଯାଏଁ ଅନୁଗାମୀ ‘ଫାଲୋଏର’ ସୃଷ୍ଟି ହୋଇଥିଲେ ।


 

କୁହାଯାଏ ଯେ ମିଆଁମାରରେ ପାଞ୍ଚ ଦଶନ୍ଧି ଧରି ସାମରିକ ଶାସନ କାଳରେ ବିଶ୍ୱାସଯୋଗ୍ୟ ସମ୍ୱାଦ ପାଇବା ନିମନ୍ତେ ସାଧନ ଅଭାବ ହେତୁ ଜନସାଧାରଣ ଆଖପାଖ ଚା’ ଦୋକାନର ଆଡ୍ଡା ଜମାଉଥିଲେ । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ଇଣ୍ଟରନେଟର ପ୍ରସାର ଓ ଫେସବୁକ ମଞ୍ଚରେ ଆଳାପ ଆଲୋଚନା ସୁବିଧା ସୁଯୋଗ ପରେ ଫେସବୁକ ଡିଜିଟାଲ ଚା’ ଦୋକାନ ଚର୍ଚ୍ଚାର ପରିବେଶ ସୃଷ୍ଟିରେ ପର୍ଯ୍ୟବସିତ ହୋଇଥିଲା ।


 

୨୦୨୧ ଫେବୃୟାରୀରେ ସାମାରିକ ଶାସନ ପୁନଃଦଖଲପରେ ଫେସବୁକ ପ୍ରସାରଣ ବନ୍ଦ ଓ ପ୍ରଥମ ସପ୍ତାହର ରାଷ୍ଟ୍ରବ୍ୟାପୀ ଗଣବିକ୍ଷୋଭ ସଂପର୍କରେ ଟୀପ୍ପଣି ଦେଇ ମିଆଁମାରର ଜଣେ ବିଶ୍ଳେଷକ କହିଥିଲେ ଗଣତନ୍ତ୍ର ସପକ୍ଷବାଦୀ ଜନସାଧାରଣ ସୋସିଆଲ ମିଡ଼ିଆରେ ନିଜ ଭାବାବେଗ ପ୍ରକାଶ କରୁଥିଲେ, କିନ୍ତୁ ସେନା ପ୍ରଶାସନ ସୋସିଆଲ ମିଡ଼ିଆ ପ୍ରସାରଣକୁ ରୋକିବା ପରେ ଜନତା ରାଜରାସ୍ତାକୁ ଓହ୍ଲାଇ ନିଜ ବିରୋଧ ପ୍ରମାଣିତ କରିବାକୁ ଲାଗିଲେ । ଫଳତଃ ପରିବର୍ତ୍ତିତ ପରିବେଶରେ ସେନା ପ୍ରଶାସନ ପକ୍ଷରୁ ସୋସିଆଲ ମିଡ଼ିଆ ବନ୍ଦ ଘୋଷଣା ପ୍ରାଥମିକ ସ୍ତରରେ ବିପରୀତ ଫଳ ପ୍ରଦାନ କରିଥିଲା ।      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୨ ଫେବୃୟାରୀ ୨୦୨୧


ତଥ୍ୟ:



Singh, Manish. Myanmar military government orders telecom networks to temporarily block Facebook. Techcrunch.com. February 3, 2020.


 

https://techcrunch.com/2021/02/03/myanmar-orders-telecom-networks-to-temporarily-block-facebook/


 

Asher, Saira. Mayanman coup : How Facebook became the ‘digital tea shop’. bbcnews.com. February 4, 2020.


 

https://www.bbc.co.uk/news/amp/world-asia-55929654


 

Facebook-faces reckoning in Mayanmar after blocked by military. reuters. February 5, 2020.


 

https://www.bbcnews.com/tech/tech-news/facebook-faces-reckoning-myanmar-blocked-military-rcna249

ଅଷ୍ଟ୍ରେଲିଆରେ ଫେସବୁକ

ଅଷ୍ଟ୍ରେଲିଆରେ ଫେସବୁକ ୨୦୨୧ ଫେବୃୟାରୀ ଦ୍ୱିତୀୟାର୍ଦ୍ଧରେ ନିଜସ୍ୱ ମଞ୍ଚରେ ଉପଭୋକ୍ତାଙ୍କ ଦ୍ୱାରା କୌଣସି ସମ୍ୱାଦ ସଂସ୍ଥାର ସୂତ୍ର ‘ଲିଙ୍କ’ ନିଜ ନିଜ ଏକାଉଣ୍ଟରେ ବାରଣ କରିବା ବିଶ୍ୱ ସୋସିଆଲ ମିଡ଼ିଆ ପରିଧିରେ ଏକ ଉଲ୍ଲେଖନୀୟ ଘଟଣା । ‘ଆଷ୍ଟ୍ରେଲିଆ କମ୍ପିଟେସନ ଏଣ୍ଡ କନଜ୍ୟୁମର କମିଶନ’ଙ୍କ ପ୍ରସ୍ତାବିତ ‘ନିଉଜ ବାରଗେନିଂ କୋଡ଼’ ପାର୍ଲାମେଣ୍ଟର ନିମ୍ନ ସଦନରେ ଗୃହୀତ ହେବାପରେ ଉଚ୍ଚ ସଦନ ସିନେଟରେ ସମର୍ଥିତ ହୋଇ ଆଇନରେ ପରିଣତ ହେବା ପୂର୍ବରୁ ନିଜସ୍ୱ ବ୍ୟାବସାୟିକ ସ୍ୱାର୍ଥର ସୁରକ୍ଷା ପାଇଁ ଫେସବୁକ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଇଥିଲା ।


 

ଡ଼ିଜିଟାଲ ମିଡ଼ିଆର କ୍ରମବିକାଶରେ ପାରମ୍ପରିକ ମୁଦ୍ରଣ ଓ ଟେଲିଭିଜନ ମଞ୍ଚଗୁଡ଼ିକ ବ୍ୟାପକ ବିଜ୍ଞାପନ ରାଜସ୍ୱ ହରାଇଛନ୍ତି । ଦିନକୁ ଦିନ ଏହି ସମସ୍ୟା ତୀବ୍ର ରୂପ ଧାରଣ କରୁଥିବାରୁ ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକର ବିଜ୍ଞାପନ ଆଶ୍ରିତ ବ୍ୟାବସାୟିକ ମଡ଼େଲ ଭୁଷୁଡ଼ିବାରେ ଲାଗିଛି । ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ବିଗତ ଦୁଇ ଦଶନ୍ଧିରେ ପ୍ରାୟ ଅର୍ଦ୍ଧେକ ସମ୍ୱାଦ ସଂସ୍ଥା ବନ୍ଦ ହୋଇଯାଇଛି । ‘କୋଭିଡ଼-୧୯’ କାଳରେ ଅଷ୍ଟ୍ରେଲିଆରେ ଶହେରୁ ଉର୍ଦ୍ଧ୍ୱ ଅନୁରୂପ ଦଶା ଭୋଗିଛନ୍ତି ।


 

ପାରମ୍ପରିକ ବଦଳରେ ଡ଼ିଜିଟାଲ ମଞ୍ଚକୁ ଯେଉଁ ବିଜ୍ଞାପନ ରାଜସ୍ୱ ଆସୁଛି ତାହାର ସିଂହଭାଗ ଗୁଗୁଲ ଓ ଫେସବୁକ ହିସାବକୁ ଯାଉଛି । ଉଭୟମଞ୍ଚରେ ମୂଳସ୍ରୋତ ଗଣମାଧ୍ୟମରେ ପ୍ରକାଶିତ ସମ୍ୱାଦ ପ୍ରଦର୍ଶିତ ହୋଇଥାଏ । ସମ୍ୱାଦ ପ୍ରଦର୍ଶନ କାରଣରୁ ଗୁଗୁଲ ଓ ଫେସବୁକ ମଞ୍ଚରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇ ଅଧିକ ବିଜ୍ଞାପନ ରାଜସ୍ୱ ଆୟ ହେଉଥିଲେହେଁ ମୂଳ ସମ୍ୱାଦ ପ୍ରଯୋଜକମାନଙ୍କ ଆର୍ଥିକ ଉପାର୍ଜନ ହୋଇନଥାଏ । ଗଣମାଧ୍ୟମ ପରିବେଶରେ ଆଧୁନିକ ବୈଷୟିକ କୌଶଳ ପ୍ରୟୋଗରେ ସୃଷ୍ଟ ଏହି ସମସ୍ୟାର ସମାଧାନ ଲାଗି ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସୋସିଆଲ ମିଡ଼ିଆଠାରୁ ସତ୍ତ୍ୱଧନ ‘ରୟାଲିଟି’ ଦାବୀ କରି ଆସୁଛନ୍ତି ।


 

ତେବେ ଗୁଗୁଲ ଓ ଫେସବୁକ ଏଥି ପ୍ରତି ଧ୍ୟାନ ଦେଇ ନଥାନ୍ତି । ଅପରପକ୍ଷେ ମୂଳତସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକର ଚାପରେ କେତେକ ରାଷ୍ଟ୍ର ସରକାରୀଭାବେ ନୀତିନିୟମ ପ୍ରଣୟନ କରୁଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ସେହି ଭୌଗଳିକ ସୀମାରେ ନିଜର ସେବା ବନ୍ଦ କରିବା ନିମନ୍ତେ ଧମକ ଦେଇଥାଆନ୍ତି । ସ୍ପେନରେ ୨୦୧୪ରେ ସୋସିଆଲ ମିଡ଼ିଆ ମଞ୍ଚରେ ସ୍ଥାନୀୟ ପ୍ରକାଶକଙ୍କ ଉପାଦାନ ‘କଣ୍ଟେଣ୍ଟ’ ପ୍ରଦର୍ଶନରେ ରୟାଲିଟି ବ୍ୟବସ୍ଥା ଲାଗୁପରେ ଗୁଗୁଲ ‘ନିଉଜ ସୋକେଶ’ରେ ସ୍ପେନ ସଂପର୍କୀତ ସମ୍ୱାଦ ପ୍ରକାଶନ ବନ୍ଦ କରିଦେଇଥିଲା । ବର୍ତ୍ତମାନ ଫେସବୁକ ଆଷ୍ଟ୍ରେଲିଆରେ ସେହି ନୀତି ଅନୁସରଣ କରିବା ଧମକ ଦେଇଥିଲା ।


 

ଆଷ୍ଟ୍ରେଲିଆରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ଦୁର୍ଦ୍ଦଶା ଲାଘବ ନିମନ୍ତେ ସରକାରଙ୍କ ପକ୍ଷରୁ ଏପ୍ରିଲ ୨୦୨୦ରେ ‘ଆଷ୍ଟ୍ରେଲିଆନ କମ୍ପିଟେସନ ଏଣ୍ଡ କନଜ୍ୟୁମର କମିସନ’କୁ ବୃହତ ଡିଜିଟାଲ ମଞ୍ଚଗୁଡ଼ିକ ପକ୍ଷରୁ ଅର୍ଥ ପ୍ରଦାନ ନିମନ୍ତେ ନୀତିନିୟମ ପ୍ରସ୍ତୁତ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ତଦ୍ ଅନୁଯାୟୀ ମାତ୍ର ତିନିମାସ ମଧ୍ୟରେ କମିଶନ ପକ୍ଷରୁ ଜୁଲାଇ ୨୦୨୦ ଶେଷ ସୁଦ୍ଧା ଚିଠା ନୀତି ଉପସ୍ଥାପିତ କରାଗଲା । ପ୍ରଥମ ପର୍ଯ୍ୟାୟରେ ଦୁଇ ବୃହତ ଡ଼ିଜିଟାଲ ମଞ୍ଚ ଗୁଗୁଲ ଓ ଫେସବୁକ ସ୍ଥାନୀୟ ପ୍ରକାଶିତ ସମ୍ୱାଦର ସୂତ୍ର ନିଜ ମଞ୍ଚରେ ପ୍ରଦର୍ଶନ ପରିମାଣକୁ ଆଧାରକରି ରୟାଲିଟି ପ୍ରଦାନ ନିମନ୍ତେ ଚିଠା ନୀତିରେ ପ୍ରାବଧାନ ରହିଛି । ତେବେ ଉଭୟ ଗୁଗୁଲ ଓ ଫେସବୁକ ଏହାକୁ ବିରୋଧ କରିଆସୁଛନ୍ତି ।


 

ପାର୍ଲାମେଣ୍ଟରେ ଏହି ବିଧେୟକ ଗୃହୀତ ହେବାପରେ ‘ଆଷ୍ଟ୍ରେଲିଆନ କମ୍ପିଟେସନ ଏଣ୍ଡ କନଜ୍ୟୁମର କମିଶନ’ ଆଇନ କାର୍ଯ୍ୟକାରୀ କରିବେ । ସ୍ଥାନୀୟ କେଉଁ ସମ୍ୱାଦ ସଂସ୍ଥାଗୁଡ଼ିକ ସମ୍ମିଳିତଭାବେ ପ୍ରମୁଖ ଡିଜିଟାଲ ମଞ୍ଚଗୁଡ଼ିକ ସହ ବୁଝାମଣା କରିବେ ତାହା ‘ଆଷ୍ଟ୍ରେଲିଆନ କମ୍ୟୁନିକେସନ୍ସ ଏଣ୍ଡ ମିଡ଼ିଆ ଅଥାରିଟି’ ନିର୍ଦ୍ଧାରଣ କରିବ । କୌଣସି କାରଣରୁ ସ୍ଥାନୀୟ ସମ୍ୱାଦ ସଂସ୍ଥା ଓ ଡିଜିଟାଲ ମଞ୍ଚଗୁଡ଼ିକ ମଧ୍ୟରେ ବୁଝାମଣା ନ ହୋଇପାରିଲେ କମିଶନ ପକ୍ଷରୁ ନିଷ୍ପତ୍ତି ‘ଆର୍ବିଟେସନ’ ନୀତି ଗ୍ରହଣ କରାଯିବ ।


 

ଚିଠା ନୀତି ଅନୁଯାୟୀ ଆଷ୍ଟ୍ରେଲିଆରେ ଅନଲାଇନରେ ଉପଲବ୍ଧ ସମ୍ୱାଦଭିତ୍ତିକ ୱେବସାଇଟ, ସମ୍ୱାଦପତ୍ର ଓ ମୁଦ୍ରିତ ପ୍ରକାଶନ, ଟେଲିଭିଜନ ଓ ଅନ୍ୟାନ୍ୟ ଅଡ଼ିଓ ତଥା ଭିଡ଼ିଓ କାର୍ଯ୍ୟକ୍ରମଭିତ୍ତିକ ଡିଜିଟାଲ ମଞ୍ଚଗୁଡ଼ିକ ବୁଝାମଣା ପଦ୍ଧତିରେ ସାମିଲ ହେବା ନିମନ୍ତେ ଯୋଗ୍ୟ ବିବେଚିତ ହେବେ । ସେହିପରି ଅନଲାଇନରେ ପ୍ରକାଶିତ ମୌଳିକ ସମ୍ୱାଦର ଅର୍ଥାତ ଜନଜୀବନକୁ ପ୍ରଭାବିତ କରୁଥିବା ଘଟଣାବଳୀ, ବିତର୍କ, ଗଣତାନ୍ତ୍ରିକ ଶାସନ ସଂକ୍ରାନ୍ତୀୟ ଉପାଦାନ ଓ ସ୍ଥାନୀୟ ଖବରଅନ୍ତରକୁ ବୁଝାଇବ ।


 

ଆଷ୍ଟ୍ରେଲିଆରେ ଡ଼ିଜିଟାଲ ମଞ୍ଚ ମଧ୍ୟରେ ବିଜ୍ଞାପନ ଆୟରେ ଗୁଗୁଲ ସର୍ବାଗ୍ରେ ରହିଥିବା ସ୍ଥଳେ ଫେସବୁକ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟ ସମସ୍ତ ଡିଜିଟାଲ ମଞ୍ଚ ନାମକୁ ମାତ୍ର ବିଜ୍ଞାପନ ଆୟ କରିଥାନ୍ତି ।


 

ଆଷ୍ଟ୍ରେଲିଆ କମ୍ପିଟେସନ ଏଣ୍ଡ କନଜ୍ୟୁମର କମିଶନଙ୍କ ବିବରଣୀ ଅନୁଯାୟୀ ୨୦୧୮ରେ ଗୁଗୁଲ ୪୯ ପ୍ରତିଶତ ଡିଜିଟାଲ ମଞ୍ଚ ବିଜ୍ଞାପନ ଆୟ ଅକ୍ତିଆର କରିଥିବା ସ୍ଥଳେ ୨୦୧୯ରେ ୫୩ ପ୍ରତିଶତକୁ ବୃଦ୍ଧି ପାଇଥିଲା ।  ଫେସବୁକ ୨୦୧୮ରେ ୨୪ ପ୍ରତିଶତ ଆୟ କରିଥିବା ସ୍ଥଳେ ୨୦୧୯ରେ ୨୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଅପରପକ୍ଷେ ଅନ୍ୟ ସମସ୍ତ ଡ଼ିଜିଟାଲ ମଞ୍ଚ ୨୦୧୮ରେ ୨୭ ପ୍ରତିଶତ ଆୟ ଭାଗବାଣ୍ଟିଥିବା ବେଳେ ୨୦୧୯ରେ ତାହା ୧୯ ପ୍ରତିଶତକୁ ଖସିଥିଲା । ଅର୍ଥାତ ବିଜ୍ଞାପନ ଆୟ ହିସାବରେ ପାରମ୍ପରିକ ଗଣମାଧ୍ୟମ ସହ ଗୁଗୁଲ ଓ ଫେସବୁକକୁ ଛାଡ଼ି ଅନ୍ୟ ସମସ୍ତ ଡିଜିଟାଲ ମଞ୍ଚ ମଧ୍ୟ ଆର୍ଥିକ ଦୂରାବସ୍ଥାର ଶୀକାର ହୋଇଛନ୍ତି ଏବଂ ଏହି ଧାରା ବର୍ଷକୁ ବର୍ଷ ତୀବ୍ର ଆକାର ଧାରଣ କରୁଛି ।


 

ପ୍ରସ୍ତାବିତ ଚିଠା ବୁଝାମଣା ନୀତିକୁ ଗୁଗୁଲ ଓ ଫେସବୁକ ଉଭୟ ବିରୋଧ କରୁଥିଲେ ହେଁ ଗୁଗୁଲ ନିଜସ୍ୱ ଆଭିମୁଖ୍ୟ ପରିବର୍ତ୍ତନ କରି ପ୍ରଥମେ ବୁଝାମଣା ପାଇଁ ଆଗେଇ ଆସିଥିଲା । ଆଷ୍ଟ୍ରେଲିଆର ଗଣମାଧ୍ୟମ ମୁଖ୍ୟତଃ ରୁପର୍ଟ ମୁଦ୍ରୋଚଙ୍କ ‘ନିଉଜ କର୍ପ’ ନିୟନ୍ତ୍ରଣାଧୀନଥିବା ସ୍ଥଳେ ଗୁଗୁଲ ୧୭ ଫେବୃୟାରୀ ୨୦୨୧ରେ ‘ନିଉଜ କର୍ପ’ ପ୍ରକାଶିତ ସମ୍ୱାଦ ନିଜସ୍ୱ ମଞ୍ଚରେ ପ୍ରଦର୍ଶନଲାଗି ଅର୍ଥ ପ୍ରଦାନ କରିବା ନିମନ୍ତେ ତିନିବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା । ଏତଦ୍ୱାରା ‘ନିଉଜ କର୍ପ’ ପକ୍ଷରୁ ପ୍ରଯୋଜିତ ଅଷ୍ଟ୍ରେଲିଆର ‘ଦି ଆଷ୍ଟ୍ରେଲିଆନ’, ‘ସ୍କାଇ ନିଉଜ’ ସହ ବ୍ରିଟେନର ‘ଦି ଟାଇମ୍ସ’, ‘ଦି ସନ’ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ‘ଦି ୱାଲ ଷ୍ଟ୍ରୀଟ ଜର୍ଣ୍ଣାଲ’, ‘ନିଉୟର୍କ ପୋଷ୍ଟ’ ଇତ୍ୟାଦିରେ ପ୍ରକାଶିତ ଉପାଦାନ ନିଜସ୍ୱ ମଞ୍ଚରେ ପ୍ରଦର୍ଶନ କରିପାରିବ ।


 

ବିଶ୍ଳେଷକମାନଙ୍କ ମତରେ ବୁଝାମଣା ନୀତି ପ୍ରଣୟନରେ ଆଷ୍ଟ୍ରେଲିଆର ନେତୃବର୍ଗ ଜିଦଖୋର ଥିବା, ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ସମ୍ୱାଦ ପ୍ରକାଶନ ଗୁରୁତ୍ୱ ଦାବୀ କରୁଥିବା ତଥା ଗୁଗୁଲ ବଜାର ଛାଡିଲେ ଅନ୍ୟମାନେ ଅକ୍ତିଆର କରିନେବା ଭୟଥିବା ହେତୁ ନରମି ଯିବାପାଇଁ ବାଧ୍ୟ ହୋଇଥିଲା । ଅପରପକ୍ଷେ ଫେସବୁକ କହିଥିଲା ଯେ ସମ୍ୱାଦ ପ୍ରକାଶନ ସୋସିଆଲ ମିଡ଼ିଆରେ ସେତେଟା ଗୁରୁତ୍ୱ ବହନ କରେନା । ଫେସବୁକର ଉପଭୋକ୍ତାମାନେ ମାତ୍ର ଚାରି ପ୍ରତିଶତ ସମୟ ପ୍ରକାଶିତ ସମ୍ୱାଦ ଆହରଣ କରିଥାନ୍ତି । ଆଷ୍ଟ୍ରେଲିଆ ସମ୍ୱାଦ ସୂତ୍ର ପ୍ରଦର୍ଶନ ନିମନ୍ତେ ସ୍ଥାନୀୟ ପ୍ରକାଶନଗୁଡ଼ିକୁ ଅର୍ଥ ପ୍ରଦାନ କଲେ ବିଶ୍ୱବ୍ୟାପୀ ତାହାର ପ୍ରଭାବ ପଡ଼ିବ ଏବଂ ଫେସବୁକର ବ୍ୟାବସାୟିକ ମଡ଼େଲରେ ବିଘଟନ ଘଟିବ ।


 

ଆଷ୍ଟ୍ରେଲିଆରେ ଫେସବୁକ ନିଜ ମଞ୍ଚରେ ସ୍ଥାନୀୟ ସମ୍ୱାଦ ପ୍ରକାଶ ବାରଣ କରିବା ନିଷ୍ପତ୍ତିରେ ସେଠାକାର ଶାସକଦଳର ନେତୃବର୍ଗ ବିବ୍ରତ ହୋଇପଡ଼ିଥିଲେ । ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଅସ୍ୱାଭାବିକଭାବେ ତତ୍ପରତା ପ୍ରକାଶ କରିଥିବା ଖବର ଦୃଷ୍ଟିକୁ ଆସିଥିଲା । ଆଷ୍ଟ୍ରେଲିଆର ଗଣମାଧ୍ୟମ ମଞ୍ଚଗୁଡ଼ିକ ମୋଟାମୋଟିଭାବେ ହାତଗଣତି ବ୍ୟବସାୟୀଙ୍କ କବଜାରେ ଥିବା ହେତୁ ସରକାର ସେମାନଙ୍କ ଚାପର ବଶବର୍ତ୍ତୀ ହୋଇଥିବା ସମାଲୋଚକମାନେ ଆରୋପ କରିଥିଲେ । ଆଷ୍ଟ୍ରେଲିଆର ଘଟଣାକ୍ରମରେ କାନାଡ଼ା, ୟୁରୋପୀୟ ରାଷ୍ଟ୍ରପୁଞ୍ଜ ଓ ଯୁକ୍ତରାଷ୍ଟ୍ର ଆମେରିକାର କେତେକ ରାଜନୀତିଜ୍ଞ ଉତ୍ସାହିତ ହୋଇ ନିଜ ନିଜ ରାଷ୍ଟ୍ରରେ ଅନୁରୂପ ନିୟମ ଲାଗୁ କରିଥିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।


 

କିନ୍ତୁ ଏକ ନାଟକୀୟ ଘଟଣାକ୍ରମରେ ସରକାର ଓ ଫେସବୁକ ମଧ୍ୟରେ ଆଲୋଚ଼ନାରେ ଫେବୃୟାରୀ ୨୩ ତାରିଖରେ ବୁଝାମଣାପରେ ଫେସବୁକ ନିଜ ମଞ୍ଚରେ ଆଷ୍ଟ୍ରେଲିଆର ଉପଭୋକ୍ତାଙ୍କ ପାଇଁ ପୂର୍ବବତ ସମ୍ୱାଦର ସୂତ୍ର ପ୍ରଦର୍ଶନ ନିମନ୍ତେ ରାଜି ହୋଇଥିବା ଘୋଷଣା କରିଥିଲା । ଆଷ୍ଟ୍ରେଲିଆ ସରକାର ଚିଠା ନିୟମରେ ଚାରିଗୋଟି ସଂଶୋଧନ ନିମନ୍ତେ ରାଜି ହୋଇଥିଲେ । ସେଥିମଧ୍ୟରେ ଫେସବୁକ ଯଦି ନିଜ ପକ୍ଷରୁ ସ୍ଥାନୀୟ ସମ୍ୱାଦ ସଂସ୍ଥାଗୁଡ଼ିକୁ ଅନୁଦାନ ପ୍ରଦାନ ବ୍ୟବସ୍ଥାକରେ ତେବେ ପ୍ରସ୍ତାବିତ ଆଇନର ପରିସରଭୁକ୍ତ ହେବ ନାହିଁ ।


 

ଫେସବୁକ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନରେ ନିଉଜ ‘ସୋକେଶ’ ନାମକ ବିଭବରେ ପ୍ରଦର୍ଶିତ ସମ୍ୱାଦ ପ୍ରକାଶକମାନଙ୍କୁ ଅର୍ଥ ପ୍ରଦାନ କରିଥାଏ । ଆପାତତଃ ସେହି ବ୍ୟବସ୍ଥା ଆଷ୍ଟ୍ରେଲିଆକୁ ସଂପ୍ରସାରିତ ହେବ । କେଉଁ ସମ୍ୱାଦ ସଂସ୍ଥା ସହ ଡ଼ିଜିଟାଲ ମଞ୍ଚଗୁଡ଼ିକ ଚୁକ୍ତି କରିବେ ତାହା ସେମାନଙ୍କ ଇଚ୍ଛାଧିନ ରହିବ । ସରକାରଙ୍କ ସହ ରାଜିନାମାପରେ ଫେସବୁକ ଆଷ୍ଟ୍ରେଲିଆର ‘ସେଭେନ ୱେଷ୍ଟ ମିଡ଼ିଆ’ ସହ ଫେବୃୟାରୀ ୨୩ ତାରିଖ ସଂଧ୍ୟାରେ ହିଁ ସମ୍ୱାଦ ପ୍ରଦର୍ଶନ ନିମନ୍ତେ ଚୁକ୍ତି କରିଥିବା ଜଣାଯାଇଛି । ଅପରପକ୍ଷେ ସରକାର ନିଜ ଚୁକ୍ତିରୁ ଓହରିଲେ ଫେସବୁକ ପକ୍ଷରୁ ପୁନର୍ବାର ସେଠାରେ ନିଜ ମଞ୍ଚରେ ସମ୍ୱାଦ ପ୍ରଦର୍ଶନ ବନ୍ଦ ରଖିବ ବୋଲି ସୂଚାଇ ଦେଇଛି ।


 

ଆଷ୍ଟ୍ରେଲିଆରେ ଫେସବୁକର ପଦକ୍ଷେପ ସ୍ଥାନୀୟ ଗଣମାଧ୍ୟମ ପରିବେଶକୁ ବିଭିନ୍ନ ଦିଗରୁ ପ୍ରଭାବିତ କରିଥାନ୍ତା । ଗଣମାଧ୍ୟମ ବିଶ୍ଳେଷକମାନଙ୍କ ମତରେ ପ୍ରଥମତଃ, ନାଗରିକଙ୍କ ସମ୍ୱାଦ ଆହରଣ ଅଭ୍ୟାସ ପ୍ରଭାବିତ ହୋଇଥାନ୍ତା । ‘ୟୁନିଭରସିଟି ଅଫ କାନବେରା’ ସ୍ଥିତ ‘ନିଉଜ ଏଣ୍ଡ ମିଡ଼ିଆ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ନିକଟରେ ଆୟୋଜିତ ଏକ ସର୍ବେକ୍ଷଣରେ ୩୦ ହଜାରରୁ କମ ଜନସଂଖ୍ୟା ବିଶିଷ୍ଟ ଆଷ୍ଟ୍ରେଲିଆର ସହରଗୁଡ଼ିକରେ ୩୨ ପ୍ରତିଶତ ଯାଏଁ ନାଗରିକ ସୋସିଆଲ ମିଡ଼ିଆରୁ ସମ୍ୱାଦ ଆହରଣ କରୁଥିବା ଜଣାଯାଇଥିଲା । ଫେସବୁକ ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚରୂପେ ପ୍ରତିଷ୍ଠିତ ହୋଇଥିବା ହେତୁ ସମ୍ୱାଦ ବିତରଣ ପ୍ରକ୍ରିୟାରେ ଗୁରୁତର ବିଭ୍ରାଟ ଘଟିଥାନ୍ତା ।


 

ଦ୍ୱିତୀୟତଃ, ନିର୍ଭରଯୋଗ୍ୟ ସମ୍ୱାଦ ପରିବେଷିତ ନହୋଇପାରିଲେ ଗୁଜବ ‘ମିସ ଇନଫରମେସନ’ ଷଢ଼ଯନ୍ତ୍ରଧର୍ମୀ ‘କନ୍ସିପେରସି ଥିଓରି’ ଓ ଉଗ୍ରବାଦୀ ‘ରେଡ଼ିକୋଲଜିମ’ ସମ୍ୱାଦ ସୂତ୍ରଗୁଡ଼ିକ ଅସତ୍ୟ ‘ଫେକ-ନିଉଜ’ ପ୍ରସାର ନିମନ୍ତେ ତତ୍ପର ହୋଇ ଉଠିଥାନ୍ତେ । ଫଳରେ ସ୍ଥିତାବସ୍ଥା ସାମାଜିକ ବିଶୃଙ୍ଖଳା ସୃଷ୍ଟିର କାରଣ ସାବ୍ୟସ୍ତ ହୋଇଥାନ୍ତା ।


 

ତୃତୀୟତଃ, ଫେସବୁକରେ ଅନ୍ୟାନ୍ୟ ଡିଜିଟାଲ ମଞ୍ଚରେ ପ୍ରକାଶିତ ସମ୍ୱାଦର ଲିଙ୍କ ପ୍ରଦର୍ଶିତ ହେଲେ ତାହା ବିଜ୍ଞାପିତ ହୋଇ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ମୁଖ୍ୟତଃ, କ୍ଷୁଦ୍ର ପର୍ଯ୍ୟାୟଭୁକ୍ତ ସମ୍ୱାଦ ସଂସ୍ଥାଗୁଡ଼ିକ ଏହି ପ୍ରକ୍ରିୟାରେ ପାଠକ ସଂଖ୍ୟା ବୃଦ୍ଧି ଓ ତତ୍ ଜନିତ ବିଜ୍ଞାପନ ଆୟ ବୃଦ୍ଧିରେ ଉପକୃତ ହୋଇଥାନ୍ତି । ତେବେ ଫେସବୁକ ମଞ୍ଚ ପକ୍ଷରୁ ସମ୍ୱାଦର ସୂତ୍ର ପ୍ରକାଶନ ବାରଣ କରାଯିବା ଫଳରେ ସେମାନଙ୍କ ପାଠକ ସଂଖ୍ୟା କମିଯାଇଥାନ୍ତା । ଗୁଗୁଲ ପକ୍ଷରୁ ୨୦୧୪ରେ ସ୍ପେନରେ ଅନୁରୂପ କଟକଣାରେ କ୍ଷୁଦ୍ର ପ୍ରକାଶକମାନଙ୍କ ୨୦ ପ୍ରତିଶତ ଯାଏଁ ପାଠକ କମି ଯାଇଥିବା ହିସାବ କରାଯାଇଥିଲା ।


 

ସର୍ବୋପରି ଆଷ୍ଟ୍ରେଲିଆରେ ପ୍ରସ୍ତାବିତ ‘ନିଉଜ ମିଡ଼ିଆ ବାର୍ଗେନିଂ କୋଡ଼’ ବିରୋଧରେ ଫେସବୁକର ପଦକ୍ଷେପ ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମ ପରିଚାଳନାକୁ ପ୍ରଭାବିତ କରିବା ଆଶଙ୍କାରେ ନୀତିନିର୍ଦ୍ଧାରକମାନେ ପ୍ରତିଟି ପଦକ୍ଷେପ ପ୍ରତି ତୀକ୍ଷଣ ଦୃଷ୍ଟି ରଖିଥିଲେ । ସର୍ବତ୍ର ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ବିଜ୍ଞାପନ ଆୟ ହରାଇ ବସୁଥିବା ସ୍ଥଳେ ମହାମାରୀ କାଳରେ ସାମଗ୍ରିକ ବିଜ୍ଞାପନ ବ୍ୟୟ ମଧ୍ୟ କମିଗଲା । ତେବେ ଡିଜିଟାଲ ମଞ୍ଚ ସେଥିରୁ ବର୍ତ୍ତିଯିବା ଏବଂ ଗୁଗୁଲ, ଫେସବୁକ ଭଳି ସଂସ୍ଥାଙ୍କ ଆୟବୃଦ୍ଧି ଏକ ବିଚ଼ିତ୍ର ଗଣିତ ସୃଷ୍ଟି କରିଛି ।


 

ଏତାଦୃଶ ବ୍ୟାବସାୟିକ ସ୍ଥିତାବସ୍ଥାରେ ସରକାରୀ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ନୀତିଗତଭାବେ ବିଶେଷଜ୍ଞମାନେ ସମର୍ଥନ କରିପାରୁ ନାହାନ୍ତି । ଇଣ୍ଟରନେଟ ମୁକ୍ତ ଭାବବିନିମୟର ମାଧ୍ୟମ ରୂପେ ବିକଶିତ ହୋଇଛି । ଏଥିରେ ଅଙ୍କୁଶ ଗ୍ରହଣଯୋଗ୍ୟ ନୁହ । ବିଶ୍ୱବ୍ୟାପୀ ସୋସିଆଲ ମିଡ଼ିଆ ଗଣତାନ୍ତ୍ରିକ ଗଣମାଧ୍ୟମ ରୂପେ ମୁଣ୍ଡ ଟେକୁଥିବା ଅବସରରେ ଶାସକଦଳ ଓ ପ୍ରଶାସନ ପକ୍ଷରୁ ଏହାର ପକ୍ଷଛେଦନ ଉଦ୍ୟମ ବୁମେରାଂ ସାବ୍ୟସ୍ତ ହେବ । ପାରମ୍ପରିକ ଗଣମାଧ୍ୟମକୁ ଏହି ପରିପ୍ରେକ୍ଷୀରେ ମୋହରା ରଖାଯାଉଥିବା ଦୁଃଭାଗ୍ୟର ବିଷୟ ।


 

ଭାରତରେ ଗଣମାଧ୍ୟମ ସ୍ୱାଧୀନତାର ଉଚ୍ଚାଙ୍ଗ ପରମ୍ପରା ଅଧିକାରୀ । ସ୍ୱାଧୀନୋତ୍ତର ଅବସ୍ଥାରେ ପ୍ରଥମ ପ୍ରେସ କମିସନଙ୍କ ପ୍ରସ୍ତାବକ୍ରମେ ସରକାରଙ୍କ ପକ୍ଷରୁ ‘ପ୍ରାଇସ ଏଣ୍ଡ ପେଜ’ ଆଇନ ପ୍ରଣୀତ ହେଲା । କ୍ଷୁଦ୍ର ସମ୍ୱାଦପତ୍ରର ସୁରକ୍ଷାଲାଗି ପୃଷ୍ଠା ଅନୁପାତରେ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସୁଯୋଗ ସୃଷ୍ଟି କରାଗଲା । କିନ୍ତୁ ଉଚ୍ଚ-ନ୍ୟାୟାଳୟଙ୍କ ଆଦେଶରେ ଆଇନ ଖାରଜ ହୋଇଗଲା । ତୃତୀୟପକ୍ଷ ଦ୍ୱାରା ମୁଦ୍ରିତ ସମ୍ୱାଦପତ୍ରର ମୂଲ୍ୟ ନିର୍ଦ୍ଧାରଣ ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତାରେ ହସ୍ତକ୍ଷେପ ବିଚାର କରାଗଲା । ଡିଜିଟାଲ ମଞ୍ଚଗୁଡ଼ିକର ବ୍ୟାପ୍ତି ଅବସରରେ ଭାରତୀୟ ଅନୁଭୂତିର ପ୍ରାସଙ୍ଗିକତା ପ୍ରଣିଧାନଯୋଗ୍ୟ ।       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୬ ଫେବୃୟାରୀ ୨୦୨୧


ତଥ୍ୟ:



Easton, William (Managing Director, Facebook Australia & New Zeland) Changes to sharing and viewing news on Facebook in Australia. February 17, 2021.


 

https://about.fb.com/news/2021/02/changes-to-sharing-and-viewing-news-on-facebook-in-australia/


 

Australian Competition & Consumer commission. Draft News Media Bargaining Code


 

https://www.accc.gov.au/focus-areas/digital-platforms/draft-news-media-bargaining-code

 

 

Fishers, Caroline (et.al). As Facebook pulls news in Australia, rural and elderly Australians will be hardest hit. February 19, 2021


 

https://www.niemanlab.org/2021/02/as-facebook-pulls-news-in-australia-rural-and-elderly-australians-will-be-hardest-hit/


 

Benton, Joshna. In Australia, Facebook’s ban on sharing news stories sent publishers’ traffic tumbling. February 18, 2021


 

https://www.niemanlab.org/2021/02/in-australia-facebooks-ban-on-sharing-news-stories-has-sent-publishers-traffic-tumbling


 

Moade, Amanla. Google, Facebook and YouTube found to makeup more than 80% of Australian digital advertising.


 

https://www.theguardian.com/media/2020/oct/23/google-facebook-and-youtube-found-to-make-up-more-than-80-of-australian-digital-advertising


 

Cave, Damien. Google is suddenly paying for news in Australia. What about every where ? February 17, 2021


 

https://www.nytimes.com/2021/02/17/business/media/australia-google-pay-for-news.html


 

News Corp and Google agree to global partnership on news. February 17, 2021


 

https://newscorp.com/2021/02/17/news-corp-and-google-agree-to-global-partnership-on-news/

 

 

Facebook reverses ban on news pages in Australia. BBC News. February 23, 2021


 

https://www.bbc.com/news/world-australia-56165015


 

Meade, Amanda, Facebook reverses Australia news ban after government makes media code amendments. www.thegurardian.com. February 23, 2021


 

https://www.theguardian.com/media/2021/feb/23/facebook-reverses-australia-news-ban-after-government-makes-media-code-amendments 

ଫେସବୁକରେ ପାଠକୀୟ ଅଭିମତ

ଫେସବୁକ ପେଜରେ ପୋଷ୍ଟ କରୁଥିବା ଉପଭୋକ୍ତା ପ୍ରଥମ ପକ୍ଷ, ଫେସବୁକ ମଞ୍ଚ ଦ୍ୱିତୀୟ ପକ୍ଷ ରୂପେ ଚ଼ିହ୍ନିତ ହେଲେ ଫେସବୁକ ପେଜଗୁଡ଼ିକରେ ପ୍ରକାଶିତ ପାଠ୍ୟ ବା ଚ଼ିତ୍ର ସଂପର୍କରେ ମନ୍ତବ୍ୟ ବା ଅଭିମତ ‘କମେଣ୍ଟ’ ପୋଷ୍ଟକାରୀ ପାଠକ ବା ଦର୍ଶକଙ୍କୁ ତୃତୀୟ ପକ୍ଷ ବିବେଚ଼ନା କରାଯାଏ । ମୌଳିକଭାବେ ପାଠ୍ୟ ବା ଚ଼ିତ୍ର ପ୍ରଚାର ଉଦ୍ଦେଶ୍ୟରେ ଉପଭୋକ୍ତା ପ୍ରକାଶ କରୁଥିବା ସ୍ଥଳେ ଫେସବୁକ ମଞ୍ଚ ମୁଦ୍ରିତ ସମ୍ୱାଦପତ୍ର ଭଳି ପ୍ରସାରଣର ଦାୟିତ୍ୱ ନିର୍ବାହ କରିଥାଏ ।


 

ମାନହାନୀମୂଳକ ପାଠ୍ୟ ବା ଚ଼ିତ୍ର ପ୍ରକାଶନ ସୂତ୍ର ଭାବେ ପ୍ରଥମ ପକ୍ଷ ଓ ପ୍ରସାରଣ ମଞ୍ଚ ଭାବେ ଦ୍ୱିତୀୟ ପକ୍ଷକୁ ଦାୟୀ କରାଯାଏ । ତୃତୀୟ ପକ୍ଷ ପାଠକ ବା ଦର୍ଶକଙ୍କ କମେଣ୍ଟ ଉପରେ ପ୍ରଥମ ବା ଦ୍ୱିତୀୟ ପକ୍ଷର କର୍ତ୍ତୃତ୍ୱ ନଥାଏ । ତେବେ ପ୍ରଥମ ପକ୍ଷର ମୂଳ ରଚନା ସଂପର୍କରେ ତୃତୀୟ ପକ୍ଷ ପୋଷ୍ଟ କରୁଥିବା କମେଣ୍ଟ ହଟାଇଦେବାର ସୁଯୋଗ ଉଭୟ ପ୍ରଥମ ଓ ଦ୍ୱିତୀୟ ପକ୍ଷ ନିକଟରେ ଉପଲବ୍ଧ । ପ୍ରଶ୍ନ ଉଠେ, ତୃତୀୟ ପକ୍ଷ ମାନହାନୀମୂଳକ କମେଣ୍ଟ ପୋଷ୍ଟ ଅବସରରେ ମୂଳ ସୂତ୍ର ଅର୍ଥାତ ପ୍ରଥମ ପକ୍ଷକୁ ଦାୟୀ କରାଯାଇ ପାରିବ କି ?


 

ପାରମ୍ପରିକ ଗଣମାଧ୍ୟମ ମଞ୍ଚ ମୁଦ୍ରିତ ସମ୍ୱାଦପତ୍ର, ପତ୍ରିକା ଓ ଟେଲିଭିଜନ ଚ୍ୟାନେଲ ଇତ୍ୟାଦି ଜନସାଧାରଣଙ୍କ ସହ ଯୋଗସୂତ୍ର ସ୍ଥାପନ ଉଦ୍ଦେଶ୍ୟରେ ନିଜ ଫେସବୁକ ପେଜରେ ନିଜସ୍ୱ ମଞ୍ଚରେ ପ୍ରକାଶିତ ରଚନା ବା କାର୍ଯ୍ୟକ୍ରମର ଲିଙ୍କ ସ୍ଥାନିତ କରିଥାନ୍ତି । ଏହି ଉଦ୍ୟମ ପାଠକ ସଂପୃକ୍ତି ‘ରିଡର୍ସ ଏଙ୍ଗେଜମେଣ୍ଟ’ ପର୍ଯ୍ୟାୟଭୁକ୍ତ । ଏତଦ୍ୱାରା ସେମାନଙ୍କ ଗ୍ରାହକ ଭିନ୍ନ ସାଧାରଣ ପାଠକ ମଞ୍ଚରେ ପ୍ରକାଶିତ ବିଭିନ୍ନ ରଚନା ପ୍ରତି ଆକୃଷ୍ଟ ହୋଇଥାନ୍ତି । ସ୍ଥଳବିଶେଷରେ ସଂପୃକ୍ତ ରଚନା ସଂପର୍କରେ କମେଣ୍ଟ ମଧ୍ୟ ପୋଷ୍ଟ କରିଥାନ୍ତି । ତେବେ ପାଠକଙ୍କ ଦ୍ୱାରା ପୋଷ୍ଟ କରାଯାଉଥିବା କମେଣ୍ଟଗୁଡ଼ିକ ଯଦି ମାନହାନୀମୂଳକ ହୁଏ, ତେବେ ଫେସବୁକ ପେଜରେ ମୂଳ ରଚନା ପ୍ରକାଶନ କରିଥିବା ପ୍ରଥମ ପକ୍ଷ ଉତ୍ତରଦାୟୀ ହେବେ କି ?


 

ଫେସବୁକ ମଞ୍ଚରେ ଆଷ୍ଟ୍ରେଲିଆର ସମ୍ୱାଦପତ୍ରରେ ପ୍ରକାଶିତ କେତେକ ରଚନା ସଂପର୍କରେ ପାଠକଗଣ ଅପମାନମୂଳକ କମେଣ୍ଟ ପୋଷ୍ଟ କରିବାପରେ ମୂଳ ରଚନାରେ ବର୍ଣ୍ଣିତ ବ୍ୟକ୍ତି ପ୍ରଥମପକ୍ଷ ସମ୍ୱାଦପତ୍ର ବିରୁଦ୍ଧରେ ଅଦାଲତରେ ମାନହାନୀ ମକଦ୍ଦମା ଦାୟର କରିଥିଲେ । ଆଷ୍ଟ୍ରେଲିଆର ସର୍ବୋଚ୍ଚ ଅଦାଲତ ସେପ୍ଟେମ୍ୱର ୨୦୨୧ ପ୍ରଥମ ସପ୍ତାହରେ ଫେସବୁକ ପେଜରେ ପାଠକ ପୋଷ୍ଟ କରିଥିବା କମେଣ୍ଟ ପାଇଁ ରଚନାର ପ୍ରକାଶକ ପ୍ରଥମ ପକ୍ଷ ଦାୟୀ ବୋଲି ରାୟ ପ୍ରଦାନ କରିଥିଲେ । ଏହି ଘଟଣାଟି ଆନ୍ତର୍ଜାତିକସ୍ତରରେ ସୋସିଆଲ ମିଡ଼ିଆର ବ୍ୟବହାରକୁ ନେଇ ଆଲୋଚ଼ନାର ଅବକାଶ ସୃଷ୍ଟି କରିଛି ।


 

ଘଟଣାକ୍ରମ ଅନୁଯାୟୀ ଆଷ୍ଟ୍ରେଲିଆ ବ୍ରଡ଼କାଷ୍ଟିଂ କରପୋରେସନ ପକ୍ଷରୁ ‘ଫୋର କର୍ଣ୍ଣର’ ନାମିତ ଅନୁସନ୍ଧାନଭିତ୍ତିକ ଧାରାବାହିକ ୨୦୧୬ରେ ପ୍ରସାରିତ ଏକ ଅଧ୍ୟାୟରେ ସେଠାକାର ଉତ୍ତରାଞ୍ଚଳ ପ୍ରଦେଶରେ ‘ଡ଼ନ ଡ଼େଲେ ୟୁଥ ଡିଟେନସନ ସେଣ୍ଟର’ ବାଳସୁଧାର କେନ୍ଦ୍ରରେ ନାବାଳକ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ପର୍ଦ୍ଦାଫାଶ କରାଯାଇଥିଲା । ‘ଆଷ୍ଟ୍ରେଲିଆସ ଶେମ’ ଶୀର୍ଷକ ଏହି ପ୍ରାମାଣିକ ଚ଼ିତ୍ରରେ ଡାଏଲନ ଭୋଲାର ନାମକ ଜଣେ ୧୭ ବର୍ଷ ବୟସ୍କଙ୍କ କାହାଣୀ ପ୍ରଦର୍ଶିତ ହେବାପରେ ଆଷ୍ଟ୍ରେଲିଆର ଆଗଧାଡ଼ିର ସମ୍ୱାଦପତ୍ରଗୁଡ଼ିକରେ ମଧ୍ୟ ଚର୍ଚ୍ଚିତ ହୋଇଥିଲା । ପ୍ରଚଳିତ ଧାରାରେ ସମ୍ୱାଦପତ୍ରରେ ଭୋଲାରଙ୍କ ସଂପର୍କୀତ ରଚନାଗୁଡ଼ିକର ଲିଙ୍କ ସଂପୃକ୍ତ ମଞ୍ଚର ଫେସବୁକ ପେଜଗୁଡ଼ିକରେ ପ୍ରକାଶନ କାଳରେ ସାଧାରଣ ପାଠକମାନେ କମେଣ୍ଟ ପୋଷ୍ଟ କରିଥିଲେ ।


 

ଡ଼ାଏଲନ ଭୋଲାର ଆଷ୍ଟ୍ରେଲିଆର ଜନଜାତି ସଂପ୍ରଦାୟ ବାସିନ୍ଦା । ଫେସବୁକରେ ସ୍ଥାନିତ ସମ୍ୱାଦପତ୍ର ରଚ଼ନାଗଡ଼ିକରେ ଡ଼ାଏଲନଙ୍କୁ ଆକ୍ଷେପ କଲାଭଳି ଉପାଦାନ ନଥିବା ସ୍ଥଳେ ପାଠକମାନଙ୍କ ପକ୍ଷରୁ ପୋଷ୍ଟ କରାଯାଇଥିବା କମେଣ୍ଟଗୁଡ଼ିକୁ ଅପମାନସୂଚ଼କ ବୋଧ କଲେ । ଡ଼ାଏଲନ ସିଡ଼ନୀ ମର୍ଣ୍ଣିଂ ହେରାଲ୍ଡ, ଆଷ୍ଟ୍ରେଲିଆନ, ସେଣ୍ଟ୍ରାଲିଆନ ଏଡ଼ଭୋକେଟ, ବୋଲ୍ଟ ରିପୋର୍ଟ ଓ ସ୍କାଇ ନିଉଜର ଫେସବୁକ ପେଜରେ ୨୦୧୬ ଓ ୨୦୧୭ରେ ପ୍ରକାଶିତ ୧୦ ଗୋଟି କମେଣ୍ଟ ଚ଼ିହ୍ନଟ କରି ଅଦାଲତରେ ମାନହାନୀ ମକଦ୍ଦମା ଦାୟର କରିଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସେ କମେଣ୍ଟ ଲେଖିଥିବା ପାଠକ କିମ୍ୱା ଫେସବୁକ ମଞ୍ଚ ବିରୋଧରେ ଅଭିଯୋଗ ନଆଣି ଯେଉଁ ସମ୍ୱାଦପତ୍ରଗୁଡ଼ିକ ଫେସବୁକ ପେଜରେ ରଚନା ଓ କମେଣ୍ଟଗୁଡ଼ିକ ପ୍ରକାଶିତ ହୋଇଥିଲା ସେହିମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ ।


 

ଡ଼ାଏଲନଙ୍କ ଯୁକ୍ତିରେ ସମ୍ୱାଦପତ୍ର ପ୍ରକାଶକମାନେ ନିଜ ମଞ୍ଚରେ ପ୍ରକାଶିତ ରଚନାଗୁଡ଼ିକ ସର୍ବସାଧାରଣରେ ବିଜ୍ଞପିତ କରିବା ଉଦ୍ଦେଶ୍ୟରେ ଫେସବୁକ ପେଜରେ ଲିଙ୍କ ପ୍ରକାଶିତ କରିଥିଲେ । ଏତଦ୍ୱାରା ଅଧିକରୁ ଅଧିକ ସଂଖ୍ୟକ ପାଠକ ସଂପୃକ୍ତ ରଚନାଗୁଡ଼ିକୁ ପାଠ କରିବା ପରିବେଶ ସୃଷ୍ଟି ହୋଇଥିଲା । ପ୍ରକାଶିତ ରଚନାଗୁଡ଼ିକ ସଂପର୍କରେ ସାଧାରଣ ପାଠକଙ୍କ ମାନହାନୀମୂଳକ କମେଣ୍ଟଗୁଡ଼ିକ ଅନେକାଂଶରେ ମିଥ୍ୟା, ମନଗଢ଼ା ଓ ଆକ୍ରୋଶମୂଳକ ହୋଇଥିବା ସ୍ଥଳେ ତାଙ୍କରି ମାନସମ୍ମାନ କ୍ଷୁର୍ଣ୍ଣ କରିଥିଲା । ଫେସବୁକ ଉପଭୋକ୍ତାମାନେ ଏହି ପୋଷ୍ଟଗୁଡ଼ିକୁ ସେୟାର କରିବା ଫଳରେ ଜ୍ୟାମିତିକ ଧାରାରେ ପ୍ରସାରିତ ହେବାରେ ଲାଗିଥିଲା ।


 

ଡ଼ାଏଲନଙ୍କ ଅଭିଯୋଗକୁ ବିଚାର କରି ‘ନିଉ ସାଉଥ ୱେଲସ ସୁପ୍ରିମ କୋର୍ଟ’ ୨୦୧୯ରେ ଅଭିଯୁକ୍ତ ସମ୍ୱାଦ ମଞ୍ଚଗୁଡ଼ିକୁ ଉତ୍ତରଦାୟୀକରି ଆବେଦନକାରୀଙ୍କୁ ନ୍ୟାୟିକ ଖର୍ଚ୍ଚ ଭରଣା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟ ସୋସିଆଲ ମିଡ଼ିଆ ପରିଧିରେ ଗୁଞ୍ଜରଣ ସୃଷ୍ଟି କରିଥିଲା । ଦୋଷୀ ସାବ୍ୟସ୍ତ ସମ୍ୱାଦ ମଞ୍ଚଗୁଡ଼ିକ ‘ନିଉ ସାଉଥ ୱେଲସ କୋର୍ଟ ଅଫ ଅପିଲ’ରେ ପୁନଃବିଚାରଣା ନିମନ୍ତେ ଆବେଦନ କରିଥିଲେ । ସେଠାରେ ଜୁନ ୨୦୨୦ରେ ସୁପ୍ରିମ କୋର୍ଟର ଆଦେଶ ବଳବତ୍ତର ରହିବା ପରେ ପୁନର୍ବାର ‘ହାଇକୋର୍ଟ ଅଫ ଆଷ୍ଟ୍ରେଲିଆ’ର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ସେପ୍ଟେମ୍ୱର ୨୦୨୧ରେ ତଳ ସୁପ୍ରିମ କୋର୍ଟ ଓ କୋର୍ଟ ଅଫ ଅପିଲର ନିଷ୍ପତ୍ତି କାୟମ ରଖିଥିଲେ ।


 

‘କୋର୍ଟ ଅଫ ଅପିଲ’ ନିଜ ରାୟରେ ଦୁଇଗୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉଲ୍ଲେଖ କରିଥିଲେ । ପ୍ରଥମତଃ, ସମ୍ୱାଦପତ୍ର ପ୍ରକାଶକଗଣ ଫେସବୁକ ପେଜରେ ନିଜ ମଞ୍ଚରେ ପ୍ରକାଶିତ ରଚ଼ନାଗୁଡ଼ିକ ସ୍ଥାନିତ କରିବା ମୂଳରେ ସାଧାରଣ ପାଠକଙ୍କ ମନ୍ତବ୍ୟ ଓ ଅଭିମତ ‘କମେଣ୍ଟ’ ପୋଷ୍ଟକୁ ଉତ୍ସାହିତ କରିଥିବା ସୁସ୍ପଷ୍ଟ । ଦ୍ୱିତୀୟତଃ, ପାଠକଙ୍କ କମେଣ୍ଟ ପୋଷ୍ଟ କାଳରେ ମୂଳ ରଚ଼ନାର ପ୍ରକାଶକ ସେଗୁଡ଼ିକର ବିଷୟବସ୍ତୁ ସଂପର୍କରେ ଅଜ୍ଞଥିବା ଯୁକ୍ତି ଅମୂଳକ । କମେଣ୍ଟ ସ୍ଥାନିତ କରିବା ନିମନ୍ତେ ଉଦ୍ଦେଶ୍ୟମୂଳକ ଭାବେ ସୁଯୋଗ ସୃଷ୍ଟି କରିଥିବା ହେତୁ ମାନହାନୀମୂଳକ ରଚନା ପ୍ରକାଶନ ନିମନ୍ତେ ପ୍ରଥମ ପକ୍ଷ ଉତ୍ତରଦାୟୀ ରହିବେ ।


 

ଆଷ୍ଟ୍ରେଲିଆ ନ୍ୟାୟ ବ୍ୟବସ୍ଥାରେ ଫେସବୁକ ମଞ୍ଚରେ ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ପ୍ରକାଶିତ ରଚ଼ନାଗୁଡ଼ିକ ସଂପର୍କରେ ଅଜଣା ଓ ଅଣ-ସମ୍ପାଦିତ କମେଣ୍ଟ ପ୍ରତି ଉତ୍ତରଦାୟୀ ରହିବା ନିଷ୍ପତ୍ତି ଆନ୍ତର୍ଜାତିକସ୍ତରରେ ପ୍ରଭାବ ପକାଇଥିଲା । ଏହି ନ୍ୟାୟିକ ଦୃଷ୍ଟିକୋଣ ହେତୁ ଫେସବୁକ ମଞ୍ଚରେ ଯେକୌଣସି ପ୍ରକାଶକ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହେଲା । ପ୍ରାଥମିକଭାବେ ଏହି ସମସ୍ୟା ସମାଧାନ ଆଶାରେ ଫେସବୁକ ମଞ୍ଚ ପକ୍ଷରୁ ମାର୍ଚ୍ଚ ୨୦୨୧ରୁ ପ୍ରକାଶିତ ପୋଷ୍ଟଗୁଡ଼ିକ ସଂପର୍କରେ ପାଠକଙ୍କ କମେଣ୍ଟ ପୋଷ୍ଟ କରିବା ବାରଣ କରିବା ପ୍ରାବଧାନ ସଂଯୋଗ କରାଯାଇଛି । ପୂର୍ବରୁ ପୋଷ୍ଟଗୁଡ଼ିକ ଗୋଟିଏ ଗୋଟିଏ କରି ଡିଲିଟ କରିବା ସୁବିଧା ଉପଲବ୍ଧ ଥିବା ସ୍ଥଳେ ବର୍ତ୍ତମାନ ସାମୂହିକ ଭାବେ ବାରଣ ସଂଭବ ।


 

ଫେସବୁକ ମଞ୍ଚରେ ପ୍ରକାଶିତ ରଚନାଗୁଡ଼ିକରେ ସ୍ଥାନିତ ପାଠକୀୟ କମେଣ୍ଟର ଉତ୍ତରଦାୟିତ୍ୱ ଆଷ୍ଟ୍ରେଲୀୟ ନ୍ୟାୟିକ ବ୍ୟବସ୍ଥା ଦ୍ୱାରା ମୂଳ ପ୍ରକାଶକଙ୍କ ଉପରେ ନ୍ୟସ୍ତ କରିବା ପରେ ଆନ୍ତର୍ଜାତିକସ୍ତରରେ ଏହାର ପ୍ରଭାବ ସଂପର୍କରେ ବିଚାରବିମର୍ଷ ଆରମ୍ଭ ହୋଇଛି । ଆଷ୍ଟ୍ରେଲିଆ ସହ ବ୍ରିଟେନ ଓ କାନାଡ଼ା ବ୍ରିଟିଶ କମନୱେଲଥ ପର୍ଯ୍ୟାୟଭୁକ୍ତ ଥିବା ଏବଂ ସମଧରଣର ନ୍ୟାୟିକ ବ୍ୟବସ୍ଥା ପ୍ରଚଳନ ଥିବା ହେତୁ ଅନୁରୂପ ଅଭିଯୋଗ ଆସିଲେ କିଭିଳି ଦୃଷ୍ଟିକୋଣ ଗ୍ରହଣ କରାଯିବ ତାହା ସମୟ କହିବ । ଯୁକ୍ତରାଷ୍ଟ୍ର ଆମେରିକାରେ ‘କମ୍ୟୁନିକେସନ ଡ଼ିସେନ୍ସି ଆକ୍ଟ’ର ଧାରା ୨୩୦ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ସୁରକ୍ଷା ଦେଇ ଆସିଛି । ଏତଦ୍ ବ୍ୟତୀତ ୨୦୦୨ରେ ଆଷ୍ଟ୍ରେଲିଆ ନାଗରିକଙ୍କୁ ମାର୍କିନ ଗଣମାଧ୍ୟମ ଦ୍ୱାରା ବିଦେଶ ପ୍ରକାଶିତ ରଚନା ସଂପର୍କରେ ମକଦ୍ଦମା କରିବାକୁ ପ୍ରଶ୍ରୟ ଦିଆଯିବାପରେ ଯୁକ୍ତରାଷ୍ଟ୍ର ଆମେରିକାରେ ବିଧେୟକ ପାରିତ କରାଯାଇ ଏତାଦୃଶ କାର୍ଯ୍ୟାନୁଷ୍ଠାନ ଅବୈଧ ଘୋଷଣା କରାଯାଇଥିଲା ।


 

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ ନରମାଲ’ରେ ବିଶ୍ୱବ୍ୟାପୀ ସୋସିଆଲ ମିଡ଼ିଆର ବ୍ୟାପ୍ତି ଓ ଲୋକପ୍ରିୟତା ଏହି କ୍ରମବିକଶିତ ଗଣମାଧ୍ୟମର ବୈଷୟିକ ବିଭବଗୁଡ଼ିକର ସାମାଜିକ ପ୍ରଭାବ ନିୟନ୍ତ୍ରଣ କରିବା ନିମନ୍ତେ ଉଭୟ ନ୍ୟାୟପାଳିକା ଓ ବିଧାୟକ ବ୍ୟବସ୍ଥା ତତ୍ପରତା ପ୍ରକାଶ କରିଛନ୍ତି । ସାଧାରଣରେ ବିସ୍ମୟର କାରଣର ଏହି ଯେ ବୈଷୟିକ ପ୍ରଗତି ଅଭିବ୍ୟକ୍ତିର ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ପ୍ରଶସ୍ତକ୍ଷେତ୍ର ଉନ୍ମୁକ୍ତ କରିଥିବା ସ୍ଥଳେ ସୋସିଆଲ ମିଡ଼ିଆ ଅସତ୍ୟ, ଗୁଜବ, ଅତିରଞ୍ଜିତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଯୋଗାଯୋଗରେ ଭରାକ୍ରାନ୍ତ ହୋଇପଡୁଛି । ବୈଷୟିକ ପ୍ରଗତି ସହ ସାମାଜିକ ବ୍ୟବସ୍ଥା ତାଳ ଦେଇ ନପାରୁଥିବା ତଥା ସଂଘର୍ଷମୟ ପରିସ୍ଥିତି ସୃଷ୍ଟି କରୁଥିବା ହେତୁ ଗଣମାଧ୍ୟମ ଅଧ୍ୟୟନ, ଗବେଷଣା ଓ ସାକ୍ଷରତା ପ୍ରସାର ଗୁରୁତ୍ୱ ବହନ କରେ ।        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅକ୍ଟୋବର ୨୦୨୧


ତଥ୍ୟ:



Rolph, David. High Court rules media are liable for Facebook comments on their stories. Here’s what that means for Facebook pages. The Conversation. September 8, 2021.


 

https://theconversation.com/high-court-rules-media-are-liable-for-facebook-comments-on-their-stories-heres-what-that-means-for-your-favourite-facebook-pages-167435


 

Whitbourn, Michaela. Media outlets lose High Court appeal over Facebook defamation ruling. The Sydney Morning Herald. September 8, 2021


 

https://www.smh.com.au/national/media-outlets-lose-high-court-appeal-over-facebook-defamation-ruling-20210908-p58prh.html


 

Schwartz, Oscar. The comments someone left on Facebook ? It can get you sned. The New York Times. September 24, 2021


 

https://www.nytimes.com/2021/09/24/technology/facebook-australia-comments.html


 

Taylor, Josh. Facebook now lets users and pages turn off comments on their posts. The Guardian. March 31, 2021


 

https://www.theguardian.com/media/2021/mar/31/facebook-turn-off-comments-on-post-limit-restrict-disable-comment-posts-moderation-control-tool

ମେଟାଭର୍ସ

ଡ଼ିଜିଟାଲ ବିପ୍ଳବରେ ‘ମେଟାଭର୍ସ’ ଆଲୋଡ଼ନ ସୃଷ୍ଟି କରିଛି । ‘ମୋବାଇଲ ଇଣ୍ଟରନେଟ’ ନିକଟ ଭବିଷ୍ୟତରେ ‘ମେଟାଭର୍ସ’ ପରିବେଶକୁ ଉନ୍ନୀତ ହେବା ସଂଭାବନା ସୁସ୍ପଷ୍ଟ ହେବା ପରେ ଯୋଗାଯୋଗ କ୍ଷେତ୍ରରେ ଅଗ୍ରଣୀ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଏହା ପ୍ରଭାବ ସଂପର୍କରେ ଆକଳନ ଗୁରୁତ୍ୱ ବହନ କରିଛି । ଅକ୍ଟୋବର ୨୦୨୧ ଶେଷ ସପ୍ତାହରେ ଫେସବୁକ ମେଟାଭର୍ସକୁ ଲମ୍ପ ପ୍ରଦାନ କରୁଥିବା ଘୋଷଣା ପରେ ନଭେମ୍ୱର ପ୍ରଥମ ସପ୍ତାହରେ ମାଇକ୍ରୋସଫଟ ପକ୍ଷରୁ ଅନୁରୂପ ସୂଚ଼ନା ୨୦୨୨ ସୁଦ୍ଧା ସୃଜନଶିଳ୍ପୀଙ୍କ କାଳ୍ପନିକ ମେଟାଭର୍ସ ବାସ୍ତବ ଦୁନିଆ ଓ ଭର୍ଚୁଆଲ ଦୁନିଆ ମଧ୍ୟରେ ପ୍ରଭେଦ ବିଲୋପରେ ସୂତ୍ରଧର ସାଜିବା ବିଶ୍ୱାସ କରାଯାଉଛି । ଫେସବୁକ ଅଧ୍ୟକ୍ଷ ମାର୍କ ଜୁକେରବର୍ଗ ତ କହୁଛନ୍ତି ଚଳିତ ଦଶକ ଶେଷ ୨୦୩୦ ସୁଦ୍ଧା ତାଙ୍କରି ମଞ୍ଚର ମେଟାଭର୍ସ ପରିବେଶରେ ଶହେ କୋଟି ଉପଭୋକ୍ତାଙ୍କୁ ସାମିଲ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।


 

‘ମେଟାଭର୍ସ’କୁ ସରଳଭାବେ ବୁଝାଇବା ଆୟସସାଧ୍ୟ । ମେଟାଭର୍ସ ବୁଝିବାକୁ ହେଲେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ, ଆଗୁମେଣ୍ଟଡ଼ ରିଆଲିଟି ଓ ଇମେସିଉଭ ଟେକନୋଲଜି ଭଳି କାରିଗରୀ କୌଶଳ ସଂପର୍କରେ ସାମାନ୍ୟ ପରିଚିତି ଆବଶ୍ୟକ । ମେଟାଭର୍ସ ଉପପାଦ୍ୟର ଓଡ଼ିଆ ଅନୁବାଦ “କୃତ୍ରିମ ବୁଦ୍ଧିମତ୍ତା ଦକ୍ଷତା ସମ୍ପନ୍ନ ଯାନ୍ତ୍ରିକ ପ୍ରଯୋଜିତ ପରିବେଶରେ ଉପଭୋକ୍ତାଙ୍କ ମଧ୍ୟରେ ପାରସ୍ପରିକ ଯୋଗାଯୋଗ” ବର୍ଣ୍ଣନା କରାଯାଇ ପାରେ । ତେବେ ସାଧାରଣ ବିଚାରରେ ଏଭଳି ବିଶ୍ଳେଷଣ ପ୍ରାୟ ମୂଲ୍ୟହୀନ । ହୁଏତ ‘ମେଟାଭର୍ସ’ ବର୍ଣ୍ଣନା ପାଇଁ ପାଠ୍ୟ ବଦଳରେ ଭିଡ଼ିଓ ଅନୁକୂଳ !


 

ଉଦାହରଣରେ ମାର୍କ ଜୁକେରବର୍ଗ ନିଜ କମ୍ପାନୀ ‘ଫେସବୁକ’କୁ ‘ମେଟା’ ପୁନଃନାମିତ କରିଥିବା ଅବସରରେ ୨୮ ଅକ୍ଟୋବର ୨୦୨୧ରେ ପ୍ରକାଶିତ ଏକ ଡ଼େମୋ ଭିଡ଼ିଓରେ ମେଟାଭର୍ସର ଉପଯୋଗ ସଂପର୍କରେ ତଥ୍ୟାବଳୀ ଉପସ୍ଥାପନ କରିଥିଲେ । ସେଥିରେ ପ୍ରଥମେ ଜୁକେରବର୍ଗଙ୍କ ବନ୍ଧୁମାନେ ଭର୍ଚୁଆଲ ପରିବେଶରେ ତାସ ଖେଳରେ ନିମଜ୍ଜିଥିବା ବେଳେ ତାଙ୍କୁ ଖେଳିବା ପାଇଁ ଆମନ୍ତ୍ରଣ କରିଥିଲେ । ଏହା ପ୍ରାୟ ସପ୍ନିଳ ବୋଧ ହେଉଥିଲା । ବନ୍ଧୁମାନେ ବିଭିନ୍ନ ‘ଅବତାର’ ଅର୍ଥାତ ମନପସନ୍ଦ ରୂପାନ୍ତରିତ ଚ଼େହରାରେ ସଜ୍ଜିତ ହୋଇ ତାସ ଖେଳୁଥିଲେ । ଏପରିକି ଜଣେ ବନ୍ଧୁ ତ ଶୂନ୍ୟରେ ଉଡୁଥିଲେ । ଠିକ ଏହି ସମୟରେ ଅନ୍ୟ ଜଣେ ବନ୍ଧୁଙ୍କୁ ଡ଼ାଏଲ କଲେ । ବନ୍ଧୁ ରାଜରାସ୍ତାରେ ଚଳପ୍ରଚଳ ହେବାବେଳେ ସହରର କାନ୍ଥରେ ଏକ ଆକର୍ଷଣୀୟ କାନ୍ଥଚ଼ିତ୍ର ‘ଗ୍ରାଫାଟି’ ଦେଖି ଜୁକରବର୍ଗଙ୍କୁ ସୂଚ଼ନା ଦେଲେ । ସେ ଆଗ୍ରହ ପ୍ରକାଶ କରିବାରୁ ଆଗୁମେଣ୍ଟେଡ଼ ରିଆଲିଟି ସଂଯୁକ୍ତ ଗ୍ରାଫାଟିର ଲିଙ୍କ ପଠାଇଦେଲେ । ଜୁକେରବର୍ଗ ମେଟାଭର୍ସ ଯୋଗେ ସେହି ଗ୍ରାଫାଟିର ତ୍ରି-ଡାଇମନସନ ବିଭବ ଉପଭୋଗ କଲେ ।


 

କମ୍ପ୍ୟୁଟରରେ ଯେଉଁମାନେ ଡିଜିଟାଲ ଗେମ ଖେଳିଥାନ୍ତି ସେମାନଙ୍କ ପକ୍ଷେ ‘ମେଟାଭର୍ସ’ ବୁଝିବା ସହଜ । ଏକ ପକ୍ଷରେ ଡିଜିଟାଲ ଗେମର ଟୁ-ଡାଇମନସନ ଆଙ୍ଗିକ ମେଟାଭର୍ସରେ ତ୍ରି-ଡାଇମନସନରେ ପରିବର୍ତ୍ତିତ ହୋଇପାରୁଥିବା ସ୍ଥଳେ ଖେଳାଳୀ ନିଜେ ନିଜ ନିର୍ବାଚିତ ରୂପ ଅବତାରରେ ଖେଳ ପରିବେଶରେ ସାମିଲ ହୋଇପାରିବେ । ମେଟାଭର୍ସ ବ୍ୟବହାର ନିମନ୍ତେ ପ୍ରତ୍ୟେକ ଉପଭୋକ୍ତା ହେଡ଼-ଗିଅର ପରିଧାନ କରିବା ଜରୁରୀ । ଜୁକରବର୍ଗ କହୁଛନ୍ତି କମ୍ପ୍ୟୁଟିଂ ଦୁନିଆରେ ଡ଼େସ୍କଟପରୁ-ୱେବରୁ-ମୋବାଇଲ ଏବଂ ଟେକ୍ସଟରୁ-ଫୋଟରୁ-ଭିଡ଼ିଓ ଶେଷ ନୁହେଁ । ଯାହା ଆମେ ଦେଖି ଆସିଥିଲେ, ତାହା ଭର୍ଚୁଆଲ ପରିବେଶରେ ଅନୁଭବ କରିବା ସମୟ ଉପନୀତ ।


 

ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ‘ଫେସବୁକ’ର ନାମକରଣରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଫେସବୁକ ମଞ୍ଚର ପ୍ରାୟୋଜକ କମ୍ପାନୀକୁ ‘ମେଟା’ ପୁନଃନାମିତ କରିଛନ୍ତି । ଅବଶ୍ୟ ଇଣ୍ଟରନେଟ ଭଳି ‘ମେଟାଭର୍ସ’ ଉପରେ କୌଣସି ନିର୍ଦ୍ଦିଷ୍ଟ କମ୍ପାନୀର କର୍ତ୍ତୃତ୍ୱ ନାହିଁ । ଏହା ଏକ ବିକାଶଶୀଳ ବୈଷୟିକ କୌଶଳ । ଇଣ୍ଟରନେଟରେ ଅସଂଖ୍ୟ ପ୍ରତିଷ୍ଠାନ ଅଂଶ ଗ୍ରହଣ କରୁଥିବା ତୁଲ୍ୟ ମେଟାଭର୍ସରେ ମଧ୍ୟ ବହୁ ଅଂଶଧାରୀ ।


 

‘ମେଟାଭର୍ସ’ ନାମକରଣ ବିଂଶ ଶତାଦ୍ଦୀ ଶେଷ ଦଶକରେ କାଳ୍ପନିକ ବିଜ୍ଞାନ ଉପନ୍ୟାସ ସୂତ୍ରକୁ ଚ଼ିହ୍ନଟ କରିଥାଏ । ‘ସ୍ନୋ କ୍ରାସ’ ନାମକ ୧୯୯୨ରେ ପ୍ରକାଶିତ ଏକ ଲୋକପ୍ରିୟ ଉପନ୍ୟାସରେ ‘ମେଟାଭର୍ସ’ ଶବ୍ଦ ବ୍ୟବହୃତ ହୋଇଥିଲା । ‘ଭର୍ସ’ ୟୁନିଭର୍ସ ବା ପୃଥିବୀ ଏବଂ ‘ମେଟା’ ଟ୍ରାନସେଡ଼େଣ୍ଟ ବା ସୀମାପାର ସୂଚ଼ିତ କରିଥାଏ । ମେଟାଭର୍ସ ଅର୍ଥ ପୃଥିବୀ ସୀମାପାର ପରିବେଶକୁ ବୁଝାଏ । ଫେସବୁକ, ମାଇକ୍ରୋସଫ୍ଟ ସହ ଭିଡ଼ିଓ ଗେମ କମ୍ପାନୀ ‘ଏପିକ ଗେମ୍ସ’ ଓ ଚିପ ପ୍ରସ୍ତୁତକର୍ତ୍ତା ‘ନିଭିଦା’ ଭଳି ପ୍ରତିଷ୍ଠାନଗୁଡ଼ିକ ମେଟାଭର୍ସ ମଞ୍ଚରେ ପ୍ରାଥମିକ ପର୍ଯ୍ୟାୟରେ ଅବତୀର୍ଣ୍ଣ ହେଉଥିବା ଆକଳନ କରାଯାଏ । ଫେସବୁକରେ ମେଟାଭର୍ସ ମଞ୍ଚ ପ୍ରସ୍ତୁତିରେ ଦଶ ହଜାର କର୍ମଚାରୀ ନିୟୋଜିତ ଥିବା ତଥା ୨୦୨୨ ସୁଦ୍ଧା ୟୁରୋପୀୟ ଦେଶପୁଞ୍ଜରୁ ଅଧିକା ଦଶ ହଜାର କର୍ମଚାରୀ ନିଯୁକ୍ତି ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଶୁଣାଯାଏ ।


 

ଫେସବୁକ ମେଟାଭର୍ସ ନିମନ୍ତେ ବ୍ୟଗ୍ରଥିବା ଚାରିଗୋଟି କାରଣ ‘ନିଉୟର୍କ ଟାଇମ୍ସ’ ବିଶ୍ଳେଷକ ଉପସ୍ଥାପନ କରିଥିଲେ । ପ୍ରଥମତଃ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ୟୁରୋପୀୟ ଦେଶପୁଞ୍ଜ ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ଯୁବ ସମ୍ପ୍ରଦାୟ ଫେସବୁକ ମଞ୍ଚରୁ କ୍ରମଶଃ ଓହରି ଆସି ଟିକ୍ ଟକ୍ ଭଳି ସର୍ଟଭିଡ଼ିଓ ମଞ୍ଚରେ ପହଞ୍ଚୁଥିବା ଫେସବୁକ ପାଇଁ ଚ଼ିନ୍ତାର କାରଣ ପାଲଟିଛି । ତେଣୁ ଭିଡ଼ିଓର ଉନ୍ନତ ସୋପାନ ମେଟାଭର୍ସରେ ଫେସବୁକ ଯେତେ ଶୀଘ୍ର ପହଞ୍ଚିବ, ଲୋକପ୍ରିୟତା ଓ ବ୍ୟାବସାୟିକସ୍ତରରେ ଲାଭଦାୟକ ହେବ । ଦ୍ୱିତୀୟତଃ, ଫେସବୁକ ମୁଖ୍ୟତଃ ମୋବାଇଲ ଫୋନଆଶ୍ରିତ ହୋଇପଡିଥିବା ସ୍ଥଳେ ମୋବାଇଲ ଆପ୍ଳିକେସନ ନିୟନ୍ତ୍ରଣ ଲାଗି ଫେସବୁକକୁ ଏଣ୍ଡ୍ରଏଡ଼ ଓ ଆଇଓଏସ ବା ଗୁଗୁଲ ଓ ଏପଲ ମଞ୍ଚ ଉପରେ ନିର୍ଭର କରିବାକୁ ପଡୁଛି । ମେଟାଭର୍ସକୁ ଲମ୍ପ ପ୍ରଦାନ କଲେ ଅନ୍ୟ ଉପରେ ଫେସବୁକର ନିର୍ଭର କମିଯିବ ।


 

ତୃତୀୟତଃ, ବିଶ୍ୱବ୍ୟାପୀ ଫେସବୁକ ନିୟାମକଙ୍କ କୋପ ଦୃଷ୍ଟିରେ ବାନ୍ଧି ହୋଇପଡ଼ିଲାଣି । ବିଭିନ୍ନ କାରଣକୁ କେନ୍ଦ୍ରକରି ଫେସବୁକର ପ୍ରସାରକୁ ଆକଟ କରିବା ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଛି । ଫେସବୁକ ମେଟାଭର୍ସରେ ପହଞ୍ଚିଲେ ଅନ୍ତତଃ ପରବର୍ତ୍ତୀ ଦଶ ବର୍ଷ ଯାଏଁ ନିୟାମକ କଟକଣାରୁ ମୁକ୍ତି ମିଳିପାରେ । ଚ଼ତୁର୍ଥତଃ, ନିକଟ ଅତୀତରେ ଫେସବୁକ ବିଭିନ୍ନ କ୍ଷେତ୍ରରେ ଅପଦସ୍ତ ହୋଇଛି । ନାମ ପରିବର୍ତ୍ତନ ସହ ମଞ୍ଚ ପରିବର୍ତ୍ତନ ହେଲେ ଅପବାଦରୁ ମଧ୍ୟ ନିସ୍ତାର ସଂଭବପର ବୋଲି କୁହାଯାଇପାରେ ।


 

‘ଫେସବୁକ’ର ‘ମେଟା’ ପୁନଃନାମକରଣ ସୋସିଆଲ ମିଡ଼ିଆ ପରିସରେ ଏକ ନୂତନ ଅଧ୍ୟାୟ । ‘ମେଟାଭର୍ସ’ ଏକ ବୈଷୟିକ ପଦ୍ଧତିକୁ ବୁଝାଉଥିବା ତଥା ବହୁ ପୂର୍ବରୁ ଏହାର ପରିଧିରେ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ଯୋଜନାରେ ସଂପୃକ୍ତି ଥିବା ସ୍ଥଳେ ଫେସବୁକର ‘ମେଟା’ ନାମକରଣକୁ ଏକ ପଦ୍ଧତି ପରିସୀମାରେ ବ୍ୟାବସାୟିକ ଅନୁପ୍ରବେଶ ବୋଲି ସମାଲୋଚ଼ନା କରାଯାଇଥାଏ । ତେବେ ଫେସବୁକର ପୁନଃନାମକରଣ ଯେ ‘ମେଟାଭର୍ସ’କୁ ସର୍ବସାଧାରଣ ଚର୍ଚ୍ଚାର ପରିସରକୁ ଆଣିଛି ଏବଂ ଏହାର ପ୍ରସାର ଦିଗରେ ଫେସବୁକ ଭଳି ବୃହତ ସୋସିଆଲ ମିଡ଼ିଆ କମ୍ପାନୀର ପ୍ରମୁଖ ଯୋଗଦାନ ରହିବ, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ପ୍ରଶ୍ନଉଠେ, ମନୋରଞ୍ଜନ ଦୁନିଆରେ ତ ‘ମେଟାଭର୍ସ' ବାଜିମାତ କରିବ, ତେବେ ସମ୍ୱାଦ ପରିବେଷଣ କ୍ଷେତ୍ରରେ ଏହାର ଭୂମିକା କ’ଣ ହେବ ?


 

ମାର୍କ ଜୁକେରବର୍ଗଙ୍କ ‘ମେଟା’ ଉପସ୍ଥାପନ ଭିଡ଼ିଓ ପ୍ରଦର୍ଶନ ନିମନ୍ତେ ନିମ୍ନ ପ୍ରଦତ୍ତ ଲିଙ୍କରେ କ୍ଳିକ କରନ୍ତୁ :


Everything Facebook revealed about Metaverse in 11 minutes

 

https://youtu.be/gElfIo6uw4g         


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ନଭେମ୍ୱର ୨୦୨୧


ତଥ୍ୟ:



Srinivasan, Sriram. How is Facebook embedding the real world in computing ? The Hindu (Cuttack Edition). October 31, 2021


 

Roose, Kavin. The Metaverse is Zuckerberg’s escape hatch. Business Standard (Bhubaneswar Edition). October 30, 2021.

ଫେସବୁକ ବିବାଦ

ଫେସବୁକ ମଞ୍ଚରେ ଗଚ୍ଛିତ ପ୍ରାୟ ପାଞ୍ଚ କୋଟି ଯୁକ୍ତରାଷ୍ଟ୍ର ଆମେରିକା ଉପଭୋକ୍ତାଙ୍କ ତଥ୍ୟାବଳୀ ବିଶ୍ଳେଷଣ କରି ବ୍ରିଟେନର ନିର୍ବାଚ଼ନ ପ୍ରଚ଼ାର ପରମର୍ଶଦାତା ପ୍ରତିଷ୍ଠାନ କେମ୍ୱ୍ରିଜ ଏନାଲିଟିକା ଆମେରିକାର ୨୦୧୬ ରାଷ୍ଟ୍ରପତି ନିର୍ବାଚ଼ନରେ ଭୋଟରମାନଙ୍କୁ ପ୍ରଭାବିତ କରାଇଥିବା ଅଭିଯୋଗସୋସିଆଲ ମିଡ଼ିଆର ସାମାଜିକ ଭୂମିକା ପ୍ରତି ପ୍ରଶ୍ନ ଉଠାଇଛି ।


 

ଫେସବୁକ ଏକ ନିଃଶୁଳ୍କ ସେବା । ଏଥିରେ ଉପଭୋକ୍ତାମାନେ ନିଜ ଦୈନନ୍ଦିନ ଜୀବନ, ରୁଚ଼ି ଓ ଅଭିମତ ଇତ୍ୟାଦି ବ୍ୟକ୍ତିଗତସ୍ତରରେ ପୂର୍ବ ନିର୍ଦ୍ଧାରିତ ବନ୍ଧୁ ବା ଫ୍ରେଣ୍ଡମାନଙ୍କ ମଧ୍ୟରେ ପରସ୍ପର ଆଦାନପ୍ରଦାନ କରିଥାନ୍ତି । ପ୍ରତ୍ୟେକ ଉପଭୋକ୍ତାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟାବଳୀକୁ ବିଶ୍ଳେଷଣକରି ସେମାନଙ୍କ ରୁଚ଼ି ଓ ଆବଶ୍ୟକତାକୁ ସୁହାଇଲାଭଳି ବ୍ୟକ୍ତିଗତ ପୃଷ୍ଠା ବା ପେଜରେ ବ୍ୟବସାୟିକ ବିଜ୍ଞାପନ ପ୍ରକାଶକରି ଫେସବୁକ ଅର୍ଥ ଉପର୍ଜନ କରିଥାଏ ।


 

ଆନ୍ତର୍ଜାତିକ ବଜାରରେ ଅନଲାଇନ ବିଜ୍ଞାପନର ପ୍ରାୟ ୮୫ ଭାଗ ଗୁଗୁଲ ଓ ଫେସବୁକ ଅକ୍ତିଆର କରିଥାନ୍ତି । ୨୦୧୭ରେ ଫେସବୁକର ବିଜ୍ଞାପନ ବାବଦରେ ଆୟ ୯୧ ହଜାର କୋଟି ଟଙ୍କା ହିସାବ କରାଯାଇଥିଲା । ଫେସବୁକର ଏହି ବ୍ୟବସାୟିକ ଢ଼ାଞ୍ଚା ବା ବିଜିନେସ ମଡ଼େଲକୁ ଉପଭୋକ୍ତାମାନେ ବିରୋଧ କରିନଥାନ୍ତି । ତେବେ ଅନୁରୂପ ତଥ୍ୟାବଳୀକୁ ଆୟୁଧ କରି ଗଣତାନ୍ତ୍ରିକ ନିର୍ବାଚ଼ନରେ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ୟମକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।


 

ପ୍ରଯୁକ୍ତି ବିଜ୍ଞାନ ଉପଯୋଗରେ ବିକଶିତ ବିଭିନ୍ନ ଅତ୍ୟାଧୁନିକ ଉତ୍ପାଦଗୁଡ଼ିକର କାର୍ଯ୍ୟକାରିତା ସଂପର୍କରେ ସାଧାରଣତଃ ଉପଭୋକ୍ତାମାନେ ଅବଗତ ନଥାନ୍ତି ।ସମୟକ୍ରମେ ସେଭଳି ଉତ୍ପାଦ ବ୍ୟବହାର ଦୈନନ୍ଦିନ ଜୀବନର ଅଂଶବିଶେଷ ପାଲଟି ଯାଇଥାଏ । ତେବେ କୌଣସି ଦୁରୋପଯୋଗର ପର୍ଦ୍ଦାଫାଶହେଲେ ହଇଚଇ ସୃଷ୍ଟି ହୋଇଥାଏ ।


 

କେମ୍ୱ୍ରିଜ ଏନାଲିଟିକା ୨୦୧୩ରେ ପ୍ରତିଷ୍ଠିତ ହୋଇ ୨୦୧୮ ବେଳକୁ ଭାରତ ସମେତ ଦୁଇଡ଼ଜନରୁ ଉର୍ଦ୍ଧ୍ୱରାଷ୍ଟ୍ରରେ ନିର୍ବାଚ଼ନ ପ୍ରଚ଼ାର ପରିଚ଼ାଳନା ବ୍ୟବସାୟରେ ସଂପୃକ୍ତ ହୋଇପାରିଥିଲା । ଉକ୍ତ ସଂସ୍ଥାର ଜଣେ ପୂର୍ବତନ କର୍ମଚ଼ାରୀ ୨୮ ବର୍ଷ ବୟସ୍କ ଚ଼େରିସ ୱିଲି ବ୍ରିଟେନର ପ୍ରମୁଖ ସମ୍ୱାଦପତ୍ର ‘ଅବଜରଭର’ର ସାମ୍ୱାଦିକ କାର୍ଲୋ କାଡ଼ୱେଲଡ଼ରଙ୍କୁ ସଂପୃକ୍ତ ସଂସ୍ଥାର କାରନାମା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଏହାର ବିଶଦ ବିବରଣୀ ସମ୍ୱାଦପତ୍ରର ୧୭ ମାର୍ଚ୍ଚ ୨୦୧୮ ସଂସ୍କରଣରେ ପ୍ରକାଶିତ ହୋଇଥିଲା ।


 

ଫେସବୁକ ମାଧ୍ୟମରେ କେତେକ ଗବେଷକ ସର୍ବେକ୍ଷଣ ବା ସର୍ଭେ ଜରିଆରେ ଜନସାଧାରଣଙ୍କଠାରୁ ବିଭିନ୍ନ ପ୍ରସଙ୍ଗରେ ମତାମତ ସଂଗ୍ରହ କରି ସାମାଜିକ ଧାରା ବା ଟ୍ରେଣ୍ଡ ଅନୁଧ୍ୟାନ କରିଥାନ୍ତି । ଏଭଳି ସର୍ଭେରେ ଆଗ୍ରହୀ ଉପଭୋକ୍ତାମାନେ ନିଜ ଇଚ୍ଛାମୁତାବକ ଅଂଶ ଗ୍ରହଣ କରନ୍ତି । କେମ୍ୱ୍ରିଜ ଏନାଲିଟିକା ୨୦୧୪ରେ ବ୍ରିଟେନର କେମ୍ୱିଜ ବିଶ୍ୱବିଦ୍ୟାଳୟରେ ଆଧ୍ୟାପନା କରୁଥିବା ଆଲେକଜେଣ୍ଡାର କୋଗାନ ନାମକ ଜନୈକ ମନୋବିଜ୍ଞାନୀଙ୍କ ସହାୟତାରେ ଏକ ପ୍ରଶ୍ନୋତ୍ତରୀ ବା କୁଇଜ ସମ୍ୱଳିତ ଆପ୍ଲିକେସନ ବା ଆପ ପ୍ରସ୍ତୁତ କରିଥିଲା । ଏହି ଆପଟି ଫେସବୁକରେ ପ୍ରକାଶିତ ହୋଇଥିଲା ।


 

ଉକ୍ତ କୁଇଜରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ତିନିଗୋଟି ପ୍ରଶ୍ନ ପଚ଼ରାଯାଇଥିଲା । ପ୍ରଥମରେ ଦୈନନ୍ଦିନ କାର୍ଯ୍ୟଧାରାରେ ସେମାନେ କେତେଦୂର ସଂଯତ ବା ଅର୍ଗାନାଇଜଡ଼, ଦ୍ୱିତୀୟରେ ସେମାନେ କେତେମାତ୍ରାରେ ପ୍ରଗଲଭ ବା ଏକ୍ସସାଇଟେଡ଼ ଏବଂ ତୃତୀୟରେ ସେମାନେ କେତେ ପରିମାଣରେ କଳାପ୍ରମୀ ବା ଅର୍ଟିଷ୍ଟିକ ମାଇଣ୍ଡେଡ଼।


 

କୋଗାନଙ୍କ ଦ୍ୱାରା ପ୍ରସ୍ତୁତ କୁଇଜରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ଦେଇଥିବା ପ୍ରଶ୍ନର ଉତ୍ତର ସହ ଆପ ଜରିଆରେ ଫେସବୁକ ପୃଷ୍ଠାରେ ଲିପିବଦ୍ଧ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ପସନ୍ଦ ବା ଲାଇକ ଚ଼ିହ୍ନିତ ତଥ୍ୟାବଳୀ ସଂଗୃହୀତ ହୋଇଥିଲା ।କେବଳ ସେତିକି ନୁହେଁ, ପ୍ରତ୍ୟେକ ଉତ୍ତରଦାତାଙ୍କ ଫେସବୁକ ବନ୍ଧୁ ବା ଫ୍ରେଣ୍ଡମାନଙ୍କ ପସନ୍ଦ ବା ଲାଇକ ସଂବନ୍ଧୀୟ ତଥ୍ୟ ମଧ୍ୟ ଆପ ମାଧ୍ୟମରେ ଅକ୍ତିଆର କରାଯାଇଥିଲା ।


 

ସମସ୍ତ ତଥ୍ୟର ସମିଶ୍ରଣରେ ପ୍ରତ୍ୟେକ ଉପଭୋକ୍ତାଙ୍କ ମାନସିକ ରେଖାଙ୍କନ ବା ସାଇକୋଗ୍ରାଫି ପ୍ରସ୍ତୁତ କରାଯାଇଥିଲା । ଆଧୁନିକ ମନୋବିଜ୍ଞାନର ଜଟିଳ ସୂତ୍ରାବଳୀ ଉପଯୋଗ କରାଯାଇ ବିସ୍ତୃତ ତଥ୍ୟ ଆଧାରରେ ସେମାନଙ୍କ ରୁଚ଼ି, ଆଭିମୁଖ୍ୟ ତଥା ରାଜନୀତିକ ପକ୍ଷଭୁକ୍ତତା ଇତ୍ୟାଦି ସଂପର୍କରେ ସୂଚ଼ନା ଏକତ୍ରିତ କରିବା ସମ୍ଭବପର ।


 

ଏଭଳି ବୃହତ ତଥ୍ୟାବଳୀ ବିଶ୍ଳେଷଣ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ସମାହିତ ହୋଇଥାଏ। ପ୍ରତ୍ୟେକ ଫେସବୁକ ଉପଭୋକ୍ତାଙ୍କ ରୁଚ଼ିର ସମୀକରଣ ନିର୍ଦ୍ଧାରଣ ନିମନ୍ତେ ଚ଼ାରି ହଜାର ସମ୍ଭାବ୍ୟ ସୂଚ଼ୀ ବା ଡ଼ାଟା ପଏଣ୍ଟସ ପ୍ରସ୍ତୁତ କରାଯାଇଥିଲା । ଉଦାହରଣରେ ଜଣେ ବ୍ୟକ୍ତି ଯଦି ‘କ’କୁ ପସନ୍ଦ କରୁଛି ସେ ‘ଚ’, ’ଛ’କୁ ମଧ୍ୟ ପସନ୍ଦ କରିବ ଏବଂ ‘ଟ’,’ଠ’କୁ ଘୃଣା କରିବ... ଇତ୍ୟାଦି ସମ୍ଭାବ୍ୟ ସମୀକରଣର ଉତ୍ତରକୁ ଡ଼ାଟା ପଏଣ୍ଟ କୁହାଯାଏ ।


 

ମନୋବିଜ୍ଞାନୀମାନେ ବ୍ୟକ୍ତିର ଦୈନନ୍ଦିନ ସାଧାରଣ ଗତିବିଧିକୁ ତର୍ଜମା କରି ତାହାର ଜଟିଳ ମାନସିକତା ସଂପର୍କରେ ତଥ୍ୟ ଖୋଜି ବାହାର କରିପାରନ୍ତି । ସମକାଳରେ କମ୍ପ୍ୟୁଟର ସୂତ୍ରାବଳୀ ବା ଆଲଗୋରିଥମ ଜରିଆରେ ତଥ୍ୟ ବିଶ୍ଳେଷଣ କରି କୋଟି କୋଟି ପ୍ରଶ୍ନର ଉତ୍ତର ସମୀକରଣ ସହ ନିମିଷକ ମଧ୍ୟରେ ଉପାସ୍ଥାପିତ ହୋଇପାରୁଛି ।


 

କୋଗାନଙ୍କ ସର୍ଭେରେ ଆମେରିକାର ୨ ଲକ୍ଷ ୭୦ ହଜାର ଫେସବୁକ ଉପଭୋକ୍ତା ଅଂଶଗ୍ରହଣ କରିଥିଲେ ହେଁ ସେମାନଙ୍କ ଫେଣ୍ଡସଙ୍କ ଫେସବୁକ ମଞ୍ଚରେ ଗଚ୍ଛିତ ତଥ୍ୟକୁ ଆହରଣ କରି ପ୍ରାୟ ୫ ରୁ ୬ କୋଟି ଆମେରିକା ନାଗରିକଙ୍କ ସାଇକୋଗ୍ରାଫି ପ୍ରସ୍ତୁତ ହୋଇଥିଲା । ଏହି ତଥ୍ୟ କେମ୍ୱ୍ରିଜ ଏନାଲିଟିକା ଆମେରିକାର ୨୦୧୬ ରାଷ୍ଟ୍ରପତି ନିର୍ବାଚ଼ନରେ ବ୍ୟବହାର ପାଇଁ ଦେଇଥିବା ଅଭିଯୋଗ ଉଠିଛି ।


 

ଯୁକ୍ତରାଷ୍ଟ୍ର ଆମେରିକାର ମୋଟ ଭୋଟରଙ୍କ ମଧ୍ୟରୁ ପ୍ରାୟ ଏକ ଚ଼ତୁର୍ଥାଂଶ ଭୋଟରଙ୍କ ବ୍ୟକ୍ତିତ୍ୱ ସଂପର୍କରେ ତଥ୍ୟ ହାସଲ ପରେ ନିର୍ବାଚ଼ନ ପ୍ରଚ଼ାର ଅଭିଯାନରେ ସେମାନଙ୍କ ରୁଚ଼ି ଅନୁକୂଳ ପ୍ରଚ଼ାର ସାମଗ୍ରୀ, ଯଥା : ପୋଷ୍ଟର, ଭିଡ଼ିଓ, ସୋସିଆଲ ମିଡ଼ିଆ ପୋଷ୍ଟିଂ ପ୍ରସ୍ତୁତ କରାଯାଇଥିଲା ଏବଂ ତାହା ଭୋଟରମାନଙ୍କୁ ପ୍ରଭାବିତ କରିଥିବା କୁହାଯାଉଛି ।


 

ଫେସବୁକ ମଞ୍ଚରେ ଗଚ୍ଛିତ ଉପଭୋକ୍ତାଙ୍କ ତଥ୍ୟକୁ ତୃତୀୟପକ୍ଷକୁ ପ୍ରଦାନ ଅସଂଗତ ଏବଂ ଗୋପନୀୟତା ଉଲଂଘନ ହୋଇଥିବା ଅଭିଯୋଗକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି ।ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ ଭଳି ରାଷ୍ଟ୍ରରେ ଗୋପନୀୟତା ଆଇନ ପ୍ରଚଳନ ଥିବା ହେତୁ ଏହି ଘଟଣାର ନ୍ୟାୟିକ କାରବାର ଆଶା କରାଯାଇପାରେ ।ଏଥି ସହ ନିର୍ବାଚ଼ନ ପ୍ରକ୍ରିୟାରେ ବୈଦେଶିକ ସଂସ୍ଥାର ହସ୍ତକ୍ଷେପ ମଧ୍ୟ ବିଚ଼ାର ପରିସରକୁ ଆସିପାରେ ।


 

ଆନ୍ତର୍ଜାତିକସ୍ତରରେ ଫେସବୁକର ୨୧୦ କୋଟି ଉପଭୋକ୍ତା ଥିବା ହିସାବ କରାଯାଉଛି । ସେଥି ମଧ୍ୟରୁ ଭାରତର ୨୪ କୋଟି ଉପଭୋକ୍ତା ଅନ୍ତର୍ଭୁକ୍ତ ।ଏଭଳି ବିସ୍ତୃତ ମଞ୍ଚର କାର୍ଯ୍ୟକାରିତା ସଂପର୍କରେ ଅଧିକାଂଶ ଅଜ୍ଞ ଥିବା ହେତୁ ସୋସିଆଲ ମିଡ଼ିଆର ମାନ ନିର୍ଦ୍ଧାରଣରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି ।


 

ପ୍ରଶ୍ନ ଉଠେ ଫେସବୁକ ଯଦି ସର୍ବସାଧାରଣରେ ପ୍ରକାଶନକୁ ବୁଝାଉଛି, ଫେସବୁକ ପୋଷ୍ଟିଂକୁ ନେଇ ମାନହାନୀ ମକଦ୍ଦମା ଦାୟର କରାଯାଇପାରୁଛି, ତେବେ ଏଭଳି ମଞ୍ଚରେ ଉପଭୋକ୍ତାଙ୍କ ଗୋପନୀୟତା ରହିଲା କେଉଁଠି ? ଯଦି ଯୁକ୍ତରାଷ୍ଟ୍ର ଆମେରିକା ପରିଦର୍ଶକ ଭିସା ମଞ୍ଜୁର କରିବା ପାଇଁ କିମ୍ୱା ଭାରତର ଆୟକର ବିଭାଗ ପର୍ଯ୍ୟଟନରେ ବିଦେଶ ଭ୍ରମଣ କରିଥିବା ବ୍ୟକ୍ତିବିଶେଷଙ୍କ ଆୟବ୍ୟୟ ତନଖିବା ପାଇଁ ଫେସବୁକକୁ ଖୋଜୁଛି, ଏହାକୁ କ’ଣ ତୃତୀୟ ପକ୍ଷର ଅନୁପ୍ରବେଶ କୁହାଯିବ ?


 

ସୋସିଆଲ ମିଡ଼ିଆ ଖୁବ କମ ସମୟ ମଧ୍ୟରେ ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରିଥିବା ହେତୁ ଏଭଳି ମଞ୍ଚଗୁଡ଼ିକର କ୍ରମବର୍ଦ୍ଧମାନ ବୈଷୟିକ ପ୍ରଗତି ଏହାର ଉପଯୋଗରେ ନୂତନ ଦିଗଦିଗନ୍ତ ସୃଷ୍ଟି କରିବା ସ୍ୱାଭାବିକ । ଇଣ୍ଟରନେଟର ବିସ୍ତୃତି, ସ୍ୱଚ୍ଛତା ଓ ବିଶାଳ ତଥ୍ୟର ସମିଶ୍ରଣ ହୁଏତ ବ୍ୟକ୍ତିଗତ ଗୋପନୀୟତାର ନୂତନ ପରିଭାଷା ସୃଷ୍ଟି କରିବ ।          


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୦ ଏପ୍ରିଲ ୨୦୧୮

ହ୍ୱାଟସ ଆପ ମଞ୍ଚରେ ପିଗାସସ ଗୁପ୍ତଚର

ମେସେଞ୍ଜର ଆପ୍ଲିକେସନ ଓ ସୋସିଆଲ ମିଡ଼ିଆର ବ୍ୟବହାର ଓ ଲୋକପ୍ରିୟତା ବୃଦ୍ଧି ସଙ୍ଗେ ଏଭଳି ମଞ୍ଚଗୁଡ଼ିକରେ ଉପସ୍ଥିତ ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥା ବ୍ୟାବହାରିକ ତଥ୍ୟ ତୃତୀୟ ପକ୍ଷ ସଂଗ୍ରହ କରୁଥିବା ବହୁବିଧ ଉଦାହରଣ ଚର୍ଚ୍ଚିତ । ମୋବାଇଲ ଫୋନ ଓ ଇଣ୍ଟରନେଟ ଗବେଷଣା ସଂସ୍ଥା ‘କାଉଣ୍ଟର ପଏଣ୍ଟ’ର ଗଣନାରେ ୨୦୧୯ ମଧ୍ୟଭାଗ ସୁଦ୍ଧା ଭାରତରେ ପ୍ରାୟ ୪୫ କୋଟି ମାସିକଭିତ୍ତିରେ ସକ୍ରିୟ ସ୍ମାର୍ଟଫୋନ ଉପଭୋକ୍ତା ହିସାବ କରାଯାଉଥିବା ସ୍ଥଳେ ସେଥି ମଧ୍ୟରୁ ୪୦ କୋଟି ସ୍ମାର୍ଟଫୋନରେ ହ୍ୱାଟସଆପ ମେସେଞ୍ଜର ଆପ୍ଲିକେସନ ସ୍ଥାନିତ ।


 

ହ୍ୱାଟସଆପ ମାଧ୍ୟମରେ ପାଠ୍ୟ, ସ୍ୱର ଓ ଭିଡ଼ିଓ ଆଦାନପ୍ରଦାନ ସଂଭବପର । ଏହି ଆପ୍ଲିକେସନ ସ୍ମାର୍ଟଫୋନରେ ବ୍ୟବହୃତ ହୁଏ ଏବଂ ସ୍ମାର୍ଟଫୋନକୁ ଇଣ୍ଟରନେଟ ସଂଯୁକ୍ତ ରଖି ଡ଼େସ୍କ-ଟପ-କମ୍ପ୍ୟୁଟରରେ ମଧ୍ୟ ବ୍ୟବହାର ସମ୍ଭବପର । ମାର୍କିନ ଇଣ୍ଟରନେଟ ପ୍ରତିଷ୍ଠାନ ‘ୟାହୁ’ରେ କାର୍ଯ୍ୟରତ ଦୁଇଜଣ କର୍ମଚାରୀ ଛୁଟି କଟାଉଥିବା ଅବସରରେ ୨୦୦୯ରେ ହ୍ୱାଟସଆପ ମେସେଞ୍ଜର ଆପ୍ଲିକେସନ ପ୍ରସ୍ତୁତ କରିଥିଲେ । ଫେସବୁକ ୨୦୧୪ରେ ହ୍ୱାଟସଆପକୁ ପ୍ରାୟ ଏକ ଲକ୍ଷ ୩୩ ହଜାର କୋଟି ଟଙ୍କାରେ ଅଧିଗ୍ରହଣ କରିଥିଲା । ଆନ୍ତର୍ଜାତିକସ୍ତରରେ ଏହାକୁ ସର୍ବାଧିକ ମହଙ୍ଗା ଅଧିଗ୍ରହଣର ମାନ୍ୟତା ପ୍ରଦାନ କରାଯାଏ । ଏହା ଭାରତରେ ୨୦୧୦ ବେଳକୁ ଉପଲବ୍ଧ ହୋଇଥିଲା ।


 

ବିଶ୍ୱବ୍ୟାପୀ ନିର୍ଦ୍ଧିଷ୍ଟ ୧୪୦୦ ହ୍ୱାଟସଆପ ଉପଭୋକ୍ତାଙ୍କ ଏପଲ ସ୍ମାର୍ଟଫୋନରେ ହ୍ୱାଟସଆପ ସର୍ଭର ବ୍ୟବହାରକରି ପିଗାସସ ନାମକ ଗୁପ୍ତଚର ସଫଟୱେର ଯୋଗେ ଉପଭୋକ୍ତାଙ୍କ ସ୍ମାର୍ଟଫୋନରୁ ତଥ୍ୟ ଚୋରି କରାଯାଉଥିବା ହ୍ୱାଟସଆପ କର୍ତ୍ତୃପକ୍ଷ ୨୦୧୯ ଅକ୍ଟୋବରରେ ପର୍ଦ୍ଦାଫାଶ କରି ଆଇନଗତ କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ । ପ୍ରଭାବିତ ୧୪୦୦ ସ୍ମାର୍ଟଫୋନ ମଧ୍ୟରେ ଭାରତରେ ବ୍ୟବହୃତ ୧୨୧ ଗୋଟି ସ୍ମାର୍ଟଫୋନ ମଧ୍ୟ ଅନ୍ତର୍ଭୁକ୍ତ ।


 

ହ୍ୱାଟସଆପରେ ଇନକ୍ରିପ୍ଟସନ ବୈଷୟିକ କୌଶଳ ବ୍ୟବହାର କରାଯାଏ । ଅର୍ଥାତ ଏହି ମଞ୍ଚ ମାଧ୍ୟମରେ ପ୍ରେରକଙ୍କ ପାଠ୍ୟ, ସ୍ୱର ବା ଭିଡ଼ିଓ ପ୍ରାପକଙ୍କ ସ୍ମାର୍ଟଫୋନ ପରଦାରେ ପହଞ୍ଚିବା ପ୍ରକ୍ରିୟାରେ କୌଣସି ପରିସ୍ଥିତିରେ ପ୍ରେରକ ଓ ପ୍ରାପକଙ୍କ ବ୍ୟତୀତ ତୃତୀୟ ପକ୍ଷ ତନଖିବାର ପ୍ରାବଧାନ ନଥାଏ । ଏପରିକି ହ୍ୱାଟସଆପ କର୍ତ୍ତୃପକ୍ଷ ମଧ୍ୟ କୌଣସିଟି ମେସେଜ ଖୋଲି ପାରନ୍ତି ନାହିଁ । ଏହି ପରିପ୍ରେକ୍ଷୀରେ ପିଗାସସ ସାଇୱେର ବ୍ୟବହାର କରାଯାଇ ହ୍ୱାଟସଆପ ମାଧ୍ୟମରେ ବିତରିତ ତଥ୍ୟ, ପାସୱାଡ଼, କଲ, ଲୋକେସନ, ମାଇକ୍ରୋଫୋନ ଓ କ୍ୟାମେରାରୁ ସୂଚନା ସଂଗ୍ରହ କରିବା ଘଟଣା ଅନେକଙ୍କୁ ବିସ୍ମିତ କରିଥିଲା ।


 

ଇସ୍ରାଏଲର ଏନଏସଓ ନାମକ ଏକ ଡ଼ିଜିଟାଲ ସଂସ୍ଥା ପକ୍ଷରୁ ପିଗାସସ ଗୁପ୍ତଚର ସଫଟୱେର ୨୦୧୬ରେ ପ୍ରସ୍ତୁତ କରାଯାଇଥିଲା । ଗ୍ରୀକ ପୁରାଣ ବର୍ଣ୍ଣିତ ପିଗାସସ ଏକ ଶ୍ୱେତବର୍ଣ୍ଣର ଘୋଟକ । ଏହା ପକ୍ଷଯୁକ୍ତ ଏବଂ ଆବଶ୍ୟକସ୍ଥଳେ ଉଡ଼ିପାରେ । ଖ୍ରୀଷ୍ଟପୂର୍ବ ୭୫୦ ରୁ ୬୫୦ ମଧ୍ୟରେ ରଚିତ ପୁରାଣଗୁଡ଼ିକରେ ପିଗାସସର ଉଲ୍ଲେଖ ରହିଛି । ଏନଏସ ଗୃପର ସ୍ୱୀକାରୋକ୍ତି ଅନୁଯାୟୀ ପିଗାସସ ସ୍ୱାଇୱେର କେବଳ ସରକାରୀ ସଂସ୍ଥାଗୁଡ଼ିକୁ ବିକ୍ରୀ କରାଯାଏ । ଇଣ୍ଟରନେଟ ଯୋଗେ ମେସେଞ୍ଜର ଆପ୍ଲିକେସନ ଓ ସୋସିଆଲ ମିଡ଼ିଆ ବ୍ୟବହାରରେ ବିଭିନ୍ନ ଅପରାଧିକ ମାମଲା ଓ ଆତଙ୍କବାଦରେ ସଂପୃକ୍ତ ଉପଭୋକ୍ତାଙ୍କ ସ୍ମାର୍ଟଫୋନରୁ ତଥ୍ୟ ହାସଲ କରି ସେମାନଙ୍କୁ ଅକ୍ତିଆର କରିବା ନିମନ୍ତେ ଏଭଳି ସ୍ୱାଇୱେର ବ୍ୟବହୃତ ହୋଇଥାଏ ।


 

ବିଭିନ୍ନ ରିପୋର୍ଟରେ ସାଉଦୀ ଆରବ, ୟୁଏଇ, ମେସ୍କିକୋ, ମୋରାକୋ, ରାଓଣ୍ଡା ଭଳି ରାଷ୍ଟ୍ରଗୁଡ଼ିକରେ ପିଗାସସ ବ୍ୟବହାରର ପ୍ରମାଣ ମିଳେ । ଏହି ଭଳି ସ୍ୱାଇୱେର ଉପଯୋଗ ଖର୍ଚ୍ଚବହୁଳ । ପିଗାସସ ଇନଷ୍ଟାଲେସନ ଖର୍ଚ୍ଚ ଭାରତୀୟ ମୁଦ୍ରାରେ ପ୍ରାୟ ତିନି କୋଟି ପଚାଶ ଲକ୍ଷ ଟଙ୍କା ହୋଇଥିବା ସ୍ଥଳେ ଦଶ ଗୋଟି ସ୍ମାର୍ଟଫୋନ ହ୍ୟାକ କରିବା ନିମନ୍ତେ ଚାରି କୋଟି ପଞ୍ଚାବନ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏନଏସଓ ପକ୍ଷରୁ ପିଗାସସ ବିକ୍ରୀ ସଂପର୍କୀତ ସମସ୍ତ ତଥ୍ୟ ଗୁପ୍ତ ରଖାଯାଏ । ସଂସ୍ଥାର ଅଧ୍ୟକ୍ଷା ସିରି ଡେଲେଭ ୨୦୧୯ ନଭେମ୍ୱର ଶେଷ ସପ୍ତାହରେ କହିଥିଲେ ଯେ ଆନ୍ତର୍ଜାତିକସ୍ତରରେ ଆଇନଶୃଙ୍ଖଳା ପରିସ୍ଥିତି ସଜାଡ଼ିବା ନିମନ୍ତେ ଏନଏସଓର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେଲେହେଁ ସେଥିନେଇ ବିସ୍ତୃତ ବିବରଣୀ ପ୍ରଘଟ କରିହେବ ନାହିଁ । ତେବେ ପ୍ରକୃତ ତଥ୍ୟ ଜ୍ଞାତସାରକୁ ଆସିଲେ ପିଗାସସ ସଂପର୍କୀତ ଗଣମାଧ୍ୟମରେ ଆଲୋଚନାର ମୋଡ଼ ବଦଳି ଯାଆନ୍ତା ।


 

ଭାରତରେ ପିଗାସସକୁ ନେଇ ଚର୍ଚ୍ଚା ୨୦୧୯ ନଭେମ୍ୱର ମାସ ସାରା ବ୍ୟାପକ ରୂପ ଧାରଣ କରିଥିଲା । ବିରୋଧୀ ଦଳଙ୍କ ତୁହାକୁ ତୁହା ପ୍ରଶ୍ନବାଣରେ ସରକାରୀ ଦଳର ମୌନତା ଗଣମାଧ୍ୟମରେ ସମାଲୋଚିତ ହୋଇଥିଲା । ରାଜ୍ୟସଭାରେ ପ୍ରଶ୍ନତ୍ତୋରରେ ଇନଫରମେସନ ଓ ଟେକନୋଲଜି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉତ୍ତରରେ ଏତିକିମାତ୍ର ସୂଚ଼ିତ ହୋଇଥିଲା ଯେ ଏ ସଂପର୍କରେ ଆବଶ୍ୟକୀୟ ଆଚରଣ ବିଧିପାଳନ ହୋଇଛି । ସେହିପରି ସୂଚନା ଅଧିକାର ଆଇନ ଉପଯୋଗରେ କୌଣସି ତଥ୍ୟ ହାସଲ କରାଯାଇପାରି ନଥିଲା ।


 

ହ୍ୱାଟସଆପ ମଞ୍ଚରେ ପିଗାସସ ଗୁପ୍ତଚର ନିୟୋଜନ ସଂପର୍କୀତ ସମ୍ୱାଦ ପ୍ରଥମେ ହ୍ୱାଟସଆପ ପକ୍ଷରୁ ହିଁ ସଂପୃକ୍ତ ଉପଭୋକ୍ତାମାନଙ୍କୁ ଜଣାଇ ଦିଆଯାଇଥିଲା । ଭାରତରେ ମାତ୍ର ୧୨୧ ଜଣ ହ୍ୱାଟସଆପ ଉପଭୋକ୍ତାଙ୍କ ଏପଲ ଫୋନ ଏହି ସ୍ୱାଇୱେର ଦ୍ୱାରା ଆକ୍ରାନ୍ତ ହୋଇଥିଲା । ବିଶେଷଜ୍ଞମାନଙ୍କ ମତରେ ପିଗାସେସ ସାମୂହିକ ଭାବେ ବହୁ ଉପଭୋକ୍ତାଙ୍କ ସ୍ମାର୍ଟଫୋନରେ ଖଞ୍ଜାଯିବା ସଂଭବପର ନୁହେଁ । ଏହି ସ୍ୱାଇୱେରଟି ଏକ କଲ ମାଧ୍ୟମରେ ହ୍ୱାଟସଆପ ବ୍ୟବହୃତ ଫୋନରେ ସ୍ଥାପନ କରାଯାଇଥାଏ । ଉପଭୋକ୍ତା କଲ ଗ୍ରହଣ କଲେ ସ୍ୱାଇୱେରଟି ଆପେ ଆପେ ସଂକ୍ରମିତ ହୋଇପାରେ । କୌତୁହଳର ବିଷୟ ଏହିଯେ ଉପଭୋକ୍ତା କଲ ଗ୍ରହଣ ନକଲେ ମଧ୍ୟ ମିସ କଲ ଯୋଗେ ସଂକ୍ରମଣ ସଂଭବପର ।


 

ସ୍ମର୍ଟଫୋନ ଉପଭୋକ୍ତାମାନେ ପିଗାସସ ଭଳି ଅନେକ ସ୍ୱାଇୱେର ଓ ମାଲୱେର ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ପ୍ରକୃତ କ୍ଷେତ୍ରରେ ସ୍ମାର୍ଟଫୋନଗୁଡ଼ିକରେ ସ୍ଥାପିତ ବିଭିନ୍ନ ଆପ୍ଲିକେସନଗୁଡ଼ିକ ଜରିଆରେ ଜ୍ଞାତ ଓ ଅଜ୍ଞାତସାରରେ ଅନେକ ସଫଟୱେର ନିରନ୍ତର ଉପଭୋକ୍ତାମାନଙ୍କ ବ୍ୟାବହାରିକ ତଥ୍ୟ ସଂଗ୍ରହ କରିଚାଲିଥାଏ । ଏଭଳି ବିପତ୍ତିରୁ ରକ୍ଷା ପାଇବା ନିମନ୍ତେ କିଭଳି ପଦକ୍ଷେପମାନ ଗ୍ରହଣ କରାଯିବା ଆବଶ୍ୟକ ସେସଂପର୍କରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି ।


 

ପ୍ରଥମତଃ, କୌଣସି ଆପ୍ଲିକେସନ ବା ‘ଆପ’ ସଂପର୍କରେ ନିଜେ ଅବଗତ ନଥିଲେ କିମ୍ୱା ବିଶେଷ ଆବଶ୍ୟକ ନଥିଲେ ସ୍ମାର୍ଟଫୋନରେ ଡ଼ାଉନଲୋଡ଼ କରିବା ଅନୁଚିତ । ଦ୍ୱିତୀୟତଃ, ବିଭିନ୍ନ ୱେବସାଇଟ ବ୍ରାଉଜିଂ ଅବସରରେ ଶିଷ୍ଟାଚାରସଂପନ୍ନ ଆପଗୁଡ଼ିକ ପକ୍ଷରୁ ବିଭିନ୍ନ ଅପସନ ସଂପର୍କରେ ସ୍ଥଳ ବିଶେଷରେ ଉପଭୋକ୍ତାଙ୍କ ସ୍ୱୀକୃତି ମାଗିଥାନ୍ତି । ସେଗୁଡ଼ିକୁ ନବୁଝିସୁଝି ସମ୍ମତ୍ତି ପ୍ରଦାନ ଅନାବଶ୍ୟକ । ତୃତୀୟତଃ, ପ୍ରତ୍ୟେକ ଆପକୁ ଅପଡେଟ ରଖିବା ଉଚିତ । ଉଦାହରଣରେ ଏପଲ ଫୋନ ପିଗାସସ ସ୍ୱାଇୱେର ଆକ୍ରାନ୍ତ ହେବାପରେ ଫୋନ ନିର୍ମାତାଙ୍କ ପକ୍ଷରୁ ସଦ୍ୟତମ ସଂସ୍କରଣଗୁଡ଼ିକରେ ଏଭଳି ମାଲୱେର ପ୍ରବେଶ ବାରଣର ବୈଷୟିକ ସୁବିଧା କରିଛି । ଅତଏବ ଅତ୍ୟାଧୁନିକ ଫୋନ ଓ ଆପ ବ୍ୟବହାରଦ୍ୱାରା ମାଲୱେର ଆକ୍ରମଣକୁ ରୋକା ଯାଇପାରେ ।


 

ପ୍ରଯୁକ୍ତି ବିଦ୍ୟାରେ ଉଦ୍ଭାବନଗୁଡ଼ିକ ସହ ତାଳ ଦେଇ ଉପଭୋକ୍ତାମାନଙ୍କ ମଧ୍ୟରେ ସଚେତନତା ପ୍ରସାର ଓ ସାମାଜିକସ୍ତରରେ ଆଇନକାନୁନ ପ୍ରଣୟନ ଦ୍ୱାରା ମାଲୱେର ଉପଦ୍ରବକୁ ପ୍ରତିରୋଧ କରିବା ଦୁଇ ମୁଖ୍ୟ ଉପାୟ । ଭାରତରେ ପ୍ରସ୍ତାବିତ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ‘ପରସନାଲ ଡ଼ାଟା ପ୍ରୋଟେକ୍ସନ ବିଲ’କୁ କ୍ୟାବିନେଟ ସ୍ୱୀକୃତି ଓ ‘ଇନଫରମେସନ ଟେକନୋଲଜି (ଇଣ୍ଟରମିଡ଼ିଏଟରିସ) ଗାଇଡ଼ଲାଇନ୍ସ (ଏମେଣ୍ଡମେଣ୍ଟ) ରୁଲସର’ ଚିଠା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାଯାଏ । ୨୦୨୦ ପ୍ରଥମଭାଗ ସୁଦ୍ଧା ଏହି ଦୁଇ ଆଇନ କାର୍ଯ୍ୟକାରୀ ହୋଇପାରିଲେ କ୍ରମବର୍ଦ୍ଧିଷ୍ଣୁ ମେସେଞ୍ଜର ଓ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ସାଧାରଣ ନାଗରିକ ସମ୍ମୁଖୀନ ହେଉଥିବା ବିପଦ ଗୁଡ଼ିକର କେତେକାଂଶରେ ମୁକାବିଲା ସଂଭବପର ବୋଲି କୁହାଯାଇପାରେ ।           


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଡ଼ିସେମ୍ୱର ୨୦୧


ତଥ୍ୟ:



Alawadhi, Neha. Pegasus attack : Peeping through an open window. Business Standard (Bhubaneswar Edition). December 02, 2019.

ଫେସବୁକ ମଞ୍ଚରେ ଆର୍ଥିକ କାରବାର

ସୋସିଆଲ ମିଡ଼ିଆ ମଞ୍ଚ ‘ଫେସବୁକ୍’ରେ ବିଶ୍ୱବ୍ୟାପୀ ପ୍ରାୟ ୨୭୦ କୋଟି ଉପଭୋକ୍ତା ଉପସ୍ଥିତ ଥିବା ହିସାବ କରାଯାଇଥାଏ । ପ୍ରାଥମିକଭାବେ ପରସ୍ପର ମଧ୍ୟରେ ବାର୍ତ୍ତା ବିନିମୟ, ଆଳାପ ଆଲୋଚ଼ନାଠାରୁ ଆରମ୍ଭ କରି ବ୍ୟାବସାୟିକ, ରାଜନୀତିକ ଓ ସାଂସ୍କୃତିକ ଯୋଗାଯୋଗ କ୍ଷେତ୍ରରେ ପ୍ରତିପତ୍ତି ବିସ୍ତାର କରିଥିବା ଡ଼ିଜିଟାଲ ମଞ୍ଚ ପକ୍ଷରୁ ଆର୍ଥିକ କାରବାର କ୍ଷେତ୍ରରେ ପ୍ରବେଶ ସୂଚ଼ିତ ହୋଇଛି । ଫେସବୁକ କର୍ତ୍ତୃକ ୧୮ ଜୁନ ୨୦୧୯ ଘୋଷଣାରେ କୁହାଯାଇଛି ଯେ ଆଗାମୀ ୨୦୨୦ରୁ ମଞ୍ଚରେ ଡ଼ିଜିଟାଲ ଆର୍ଥିକ କାରବାର ଆରମ୍ଭ ହେବ । ଫେସବୁକର ମେସେଞ୍ଜର ଓ ହ୍ୱାଟସଆପ ଆପ୍ଲିକେସନ ବ୍ୟବହାରରେ ଉପଭୋକ୍ତାମାନେ ପରସ୍ପର ମଧ୍ୟରେ ଅର୍ଥ ଆଦାନପ୍ରଦାନ, ବିଭିନ୍ନ ସେବା ନିମନ୍ତେ ଦେୟ ଭରଣା ତଥା ସଞ୍ଚୟ କରିପାରିବେ ।


 

ଫେସବୁକର ମାଇକ୍ରୋ-ପେମେଣ୍ଟକ୍ରାଇପ୍ଟୋ-କାରେନ୍ସି‘ଲିବ୍ରା’ ନାମିତ ହୋଇଛି । ଏହି ଆର୍ଥିକ କାରବାର ଆନ୍ତର୍ଜାତିକସ୍ତରରେ ଫେସବୁକ କାର୍ଯ୍ୟକ୍ଷମ ଥିବା ସମସ୍ତ ରାଷ୍ଟ୍ରରେ ବ୍ୟବହୃତ ହୋଇପାରିବ । କୁହାଯାଉଛି ଯେ ଆଧୁନିକ ଆର୍ଥିକ ବ୍ୟବସ୍ଥାର ଦୃତ ପ୍ରସାର ସତ୍ତ୍ୱେବିଶ୍ୱରେ ପ୍ରାୟ ୧୭୦ କୋଟି ଜନସାଧାରଣ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ରହିଛନ୍ତି । ସେମାନଙ୍କ ମଧ୍ୟରେ ବିକାଶଶୀଳ ରାଷ୍ଟ୍ରର ବାସିନ୍ଦା ଓ ମହିଳାମାନଙ୍କ ସଂଖ୍ୟା ଅଧିକ । ଫେସବୁକ ବ୍ୟବହାର କରୁଥିବା ଜନସାଧାରଣ ‘ଲିବ୍ରା’ ମାଧ୍ୟମରେ ଡ଼ିଜିଟାଲ ଅର୍ଥନୀତିରେ ସାମିଲ ହୋଇପାରିବେ ।


 

‘ଲିବ୍ରା’ ବ୍ୟବହାର କରିବା ନିମନ୍ତେ ଦାତା ଓ ଗ୍ରହୀତା ଉଭୟ ଫେସବୁକ ମଞ୍ଚରେ ଅବତୀର୍ଣ୍ଣ ହେବା ବାଞ୍ଛନୀୟ । ସାଧାରଣ ଟେକ୍ସଟ ମେସେଜ ପ୍ରେରଣ କରିବା ଢଙ୍ଗରେ ଜଣେ ଫେସବୁକ ଉପଭୋକ୍ତା ଅନ୍ୟ ଜଣେ ଫେସବୁକ ଉପଭୋକ୍ତାଙ୍କ ନିକଟକୁ ‘କାଲିବ୍ରା’ ପ୍ରେରଣ କରିପାରିବେ । ସେହିପରି କିଣାବିକା ପ୍ରକ୍ରିୟା ମଧ୍ୟ ସମ୍ଭବପର । ‘ଲିବ୍ରା’ ମଞ୍ଚରେ ଆର୍ଥିକ କାରବାର ସହଜସାଧ୍ୟ ଏବଂ ଏହି ମଞ୍ଚର ଉପଭୋକ୍ତାମାନଙ୍କ ଆର୍ଥିକ କାରବାର ଗୋପନୀୟତା ରକ୍ଷା କରାଯିବ । ଯେଉଁମାନେ ବ୍ୟାଙ୍କିଙ୍ଗସେବାରେ ଅନ୍ତର୍ଭୁକ୍ତ ହୋଇ ନପାରି ସଞ୍ଚୟ ଦିଗରେ ଅସୁବିଧା ଭୋଗୁଛନ୍ତି ସେମାନେ ଉପକୃତ ହେବେ । ମୋଟ ଉପରେ ଫେସବୁକ ବ୍ୟବହାର ଜାଣିପାରିଥିବା ଶିକ୍ଷିତ ଓ ଅଶିକ୍ଷିତ ଏକ ବିସ୍ତୃତ ଜନସଂଖ୍ୟା ଡ଼ିଜିଟାଲ ଆର୍ଥିକ କାରବାର ନିମନ୍ତେ ବିକଳ୍ପ ମଞ୍ଚ ପାଇପାରିବେ ।


 

‘ଲିବ୍ରା’ ଘୋଷିତ ହେବା ଅବସରରେ ୨୭ ଗୋଟି ପ୍ରମୁଖ ଆର୍ଥିକ ସଂସ୍ଥା ଏହା ସହିତ ସହବନ୍ଧିତ ହୋଇଛନ୍ତି । ସେଗୁଡ଼ିକ ମଧ୍ୟରେ ଭିସା, ମାଷ୍ଟରକାର୍ଡ଼, ଉବେର, ଲିଫ୍ଟ, ପେ-ପାଲ ଓ ସ୍ପଟିଫାଇ ଇତ୍ୟାଦି ପ୍ରଧାନ । ଏହି ଡ଼ିଜିଟାଲ ମଞ୍ଚ କାର୍ଯ୍ୟକାରୀ ହେବା ବେଳକୁ ପ୍ରାୟ ଶହେ ସରିକି ଆର୍ଥିକ ସଂସ୍ଥା ଅନ୍ତର୍ଭୁକ୍ତ ହେବେ ବୋଲି କୁହାଯାଉଛି । ଫେସବୁକର‘ଲିବ୍ରା’ ବ୍ୟବହାର କରିବା ନିମନ୍ତେ ସ୍ମାର୍ଟଫୋନ ଓ ଇଣ୍ଟରନେଟ ସଂଯୁକ୍ତି ଯଥେଷ୍ଟ । ଫେସବୁକ, ମେସେଞ୍ଜର, ହ୍ୱାଟସଅପ ଭଳି ମଞ୍ଚ ବ୍ୟବହାର ନିଃଶୁଳ୍କ ରହିଥିବା ସ୍ଥଳେ ‘ଲିବ୍ରା’ ମାଧ୍ୟମରେ ଆର୍ଥିକ ଦେଣନେଣ ମଧ୍ୟ ମାଗଣା ଉପଲବ୍ଧ ହେବ ।


 

ଫେସବୁକରେ ଆର୍ଥିକ କାରବାର ନିମନ୍ତେ ‘ଲିବ୍ରାଏସୋସିଏସେନ’ ନାମରେ ଏକ ସ୍ୱାଧୀନଲାଭରହିତ ସଂସ୍ଥା ଗଠିତ ହୋଇଛି । ଏହା ପକ୍ଷରୁ କୁହାଯାଉଛି ଯେ ‘ଲିବ୍ରା’ଡ଼ିଜିଟାଲ ଆର୍ଥିକ କାରବାର ନିମନ୍ତେ ଉପଭୋକ୍ତାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ । ଏଭଳି ମଞ୍ଚର ଅପବ୍ୟବହାର ରୋକିବା ନିମନ୍ତେ ବ୍ୟାଙ୍କ ଓ କ୍ରେଡ଼ିଟ କାର୍ଡ ସଂସ୍ଥାଗୁଡ଼ିକ ପକ୍ଷରୁ ନିଆଯାଉଥିବା ପ୍ରତିଷେଧକମୂଳକ ବ୍ୟବସ୍ଥା ଲାଗୁ କରାଯିବ । ବୈଷୟିକ ତୃଟି କାରଣରୁ କେହି ଉପଭୋକ୍ତା ଅର୍ଥ ହରାଇଲେ ତାହା ଫେସବୁକ ପକ୍ଷରୁ ଭରଣା କରାଯିବା ଘୋଷିତ ହୋଇଛି ।


 

ଫେସବୁକ ସୋସିଆଲ ମିଡ଼ିଆ ମଞ୍ଚ ରୂପେ ଆନ୍ତର୍ଜାତିକସ୍ତରରେ ଯୋଗାଯୋଗ, ବିଜ୍ଞାପନ ଓ ବ୍ୟବସାୟ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ଏହାର ବିସ୍ତୃତ ଉପଭୋକ୍ତାଙ୍କ ହାତପାଆନ୍ତାରେ ଆର୍ଥିକ କାରବାର ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି ଗଣମାଧ୍ୟମକୁ ପ୍ରଭାବିତ କରିବା ଆଶା କରାଯାଇପାରେ । ଡ଼ିଜିଟାଲମଞ୍ଚଗୁଡ଼ିକର ଆବିର୍ଭାବ ତଥା ସେଗୁଡ଼ିକରେ ବିଜ୍ଞାପନ ପ୍ରକାଶନ ନିମନ୍ତେ ଆର୍ଟିଫିସିଆଲଇଣ୍ଟଲିଜେନ୍ସି ଭଳି ଆଧୁନିକ କାରିଗରୀ କୌଶଳ ବ୍ୟବହାର ମୁଦ୍ରଣ ମାଧ୍ୟମରେ ବିଜ୍ଞାପନ ହ୍ରାସର କାରଣ ପାଲଟିଛି । ଇଣ୍ଟରନେଟର ବ୍ୟାପ୍ତି, ମୋବାଇଲ ଫୋନ ସଂଖ୍ୟା ଓ ବ୍ୟବହାର ଅବଧି ବୃଦ୍ଧି ତଥା ସମାଜର ବିଭିନ୍ନ କ୍ଷେତ୍ରରେ ଡ଼ିଜିଟାଲ କାରିଗରୀ କୌଶଳ ଉପଯୋଗ କ୍ରମଶଃ ବିଶ୍ୱବ୍ୟାପୀ ବିଜ୍ଞାପନ ଆଶ୍ରିତ ମୁଦ୍ରିତ ଗଣମାଧ୍ୟମ ନିମନ୍ତେ ଆର୍ଥିକ ଦୃଷ୍ଟିରୁ ସମସ୍ୟା ସୃଷ୍ଟି କରିବା ସୁନିଶ୍ଚିତ । ଏହି ପରିପ୍ରେକ୍ଷୀରେ ମୁଦ୍ରିତ-ଗଣମାଧ୍ୟମ ସମେତ ଟେଲିଭିଜନ ଓ ଡ଼ିଜିଟାଲ ମଞ୍ଚ ଗ୍ରାହକ ଚ଼ାନ୍ଦା ଉପରେ ନିର୍ଭରଶୀଳ ହେବା ସ୍ୱାଭାବିକ ।


 

ବିକଶିତ ରାଷ୍ଟ୍ରଗୁଡ଼ିକରେ ଗ୍ରାହକ ଚ଼ାନ୍ଦାର ଗୁରୁତ୍ୱ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ତେବେ ଅନେକ କ୍ଷେତ୍ରରେ ଗଣମାଧ୍ୟମରେ ପାଠ୍ୟ ବା ଚ଼ିତ୍ର ଆହରଣ କରିବା ନିମନ୍ତେ ଦେୟ ପ୍ରଦାନ ନିମନ୍ତେ ସହଜ ଓ ସୁବିଧାଜନକ ମାଧ୍ୟମର ଅଭାବ ଲାଗି ରହିଥିଲା । ଫେସବୁକ ଭଳି ଜନପ୍ରିୟ ମଞ୍ଚରେ ଆର୍ଥିକ କାରବାରର ସୁବିଧା ଏଦିଗରେ ସହାୟକ ହେବା ଆଶା କରାଯାଏ । ‘ଲିବ୍ରା’ ଘୋଷିତ ହେବା ଅବସରରେ ‘ସ୍ପଟିଫାଇ’ ସେହି ଡ଼ିଜିଟାଲ ମଞ୍ଚରେ ସାମିଲ ହେବା ନିମନ୍ତେ ସମ୍ମତ୍ତି ପ୍ରଦାନ କରିଛି । ‘ଲିବ୍ରା’ରେ ଯୋଗ ଦେଉଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ‘ସ୍ପଟିଫାଇ’ ପ୍ରଥମ ଗଣମାଧ୍ୟମ ସଂସ୍ଥା । ‘ସ୍ପଟିଫାଇ’ ଏକ ସଂଗୀତ ପରିବେଷଣ ମଞ୍ଚ । ଗ୍ରାହକମାନେ ଅର୍ଥ ବିନିମୟରେ ଏହି ମଞ୍ଚରେ ନିଜ ପସନ୍ଦଯୋଗ୍ୟ ସଂଗୀତ ଉପଭୋଗ କରିପାରନ୍ତି । ‘ଲିବ୍ରା’ ବ୍ୟବହାରରେ ‘ସ୍ପଟିଫାଇ’ର ଗ୍ରାହକମାନେ ଉପକୃତ ହେବା ଆଶା କରାଯାଉଛି ।


 

ବିକଶିତ ରାଷ୍ଟ୍ରଗୁଡ଼ିକରେ ଡ଼ିଜିଟାଲ ମଞ୍ଚରେ ଗୋଟିଏ ରଚନା ପଢ଼ିବା ବା ଭିଡ଼ିଓଟିଏଥରୁଟିଏ ଦେଖିବା ପାଇଁ ଦେୟ ପ୍ରଦାନ ପ୍ରଥା ଆରମ୍ଭ ହେଲାଣି । ଉଦାହରଣରେ ଜଣେ ପାଠକ ମାତ୍ର ଟଙ୍କାଏ ବା ଦୁଇ ଟଙ୍କା ଦେଇ ଗୋଟିଏ ରଚନା ପଢ଼ିବା ବ୍ୟବସ୍ଥା ସମ୍ଭବପର । ଯଦି ରଚନାଟି ହଜାର କିମ୍ୱା ଦୁଇ ହଜାର ପାଠକ ପଢନ୍ତି ତେବେ ପ୍ରକାଶକ ଓ ଲେଖକ ହଜାରରୁ ଚ଼ାରି ହଜାର ଟଙ୍କା ଆୟ କରିପାରନ୍ତି । କିନ୍ତୁ ଏଥିଲାଗି ହଜାର ଦୁଇ ହଜାର ପାଠକଙ୍କଠାରୁ ଦେୟ ସଂଗ୍ରହ ଓ ପ୍ରକାଶକ ତଥା ଲେଖକଙ୍କ ମଧ୍ୟରେ ପୂର୍ବନିର୍ଦ୍ଧାରିତଚୁକ୍ତିମତେ ଅର୍ଥ ଭାଗବଣ୍ଟା ଜଟିଳ ଆର୍ଥିକ କାରବାର । ଫେସବୁକର ଆର୍ଥିକ ମଞ୍ଚ ‘ଲିବ୍ରା’ରେ ଅନାୟସରେ କ୍ଷଣିକ ମଧ୍ୟରେ ଏହା ସଂଭବପର ହୋଇପାରିବ । ୨୦୧୯ ବେଳକୁ ବଲିଉଡ଼ରହିନ୍ଦିଚଳଚ଼ିତ୍ର ନିର୍ମାତାମାନେଚଳଚ଼ିତ୍ର ମୁକ୍ତିର ପ୍ରଥମ ସପ୍ତାହ ମଧ୍ୟରେ ସମଗ୍ର ବ୍ୟୟ ସହ ଲାଭ ପାଇପାରୁଥିବା ଭଳି ଭଲ ରଚ଼ନାଟିଏ ଦିନେ ଦୁଇ ଦିନ ମଧ୍ୟରେ ହଜାର ହଜାର ପାଠକଙ୍କ ମଧ୍ୟରେ ବିକ୍ରି ସଂଭବପର ହୋଇପାରିବ ।


 

ଡ଼ିଜିଟାଲ ମଞ୍ଚରେ ଆର୍ଥିକ କାରବାର ବୃଦ୍ଧି ଗଣମାଧ୍ୟମ ଉପତ୍ୟକାରେ ନୂତନ ସମୀକରଣ ସୃଷ୍ଟି କରିବ । ଦେଣନେଣ ପ୍ରକ୍ରିୟା ସୁଗମ ହୋଇପାରିଲେ ପ୍ରକାଶକ, ଲେଖକ ଓ ସୃଜନ ପ୍ରତିଭାମାନେ ନିଜ ନିଜ କୃତୀ ବିକ୍ରି କରିପାରିବେ । ପାଠକ ଓ ଦର୍ଶକଙ୍କ ସ୍ୱୀକୃତି ପ୍ରକାଶନର ଗୁଣାତ୍ମକ ବିକାଶରେ ସହାୟକ ହେବ । ସୃଜନ କ୍ଷେତ୍ରରେ ପ୍ରତିଭାହୀନଙ୍କ ଆଧିପତ୍ୟ ଲୋପ ପାଇବ । ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ଦେୟଯୁକ୍ତ ଟେଲିଭିଜନ ଓ ସଂଗୀତ କାର୍ଯ୍ୟକ୍ରମ ଉପଭୋଗ ମଙ୍ଗ ଧରିଲାଣି । ‘ରେଡ଼ ସିର କନସଲଟେନ୍ସି’ର ହିସାବ ଅନୁଯାୟୀ ୨୦୧୯ ମଧ୍ୟଭାଗ ସୁଦ୍ଧା ଷ୍ଟ୍ରୀମିଂ ମଞ୍ଚ ନେଟଫ୍ଳିକ୍ସ ଓ ଆମେଜନପ୍ରାଇମର ମାସିକ ସକ୍ରିୟ ଗ୍ରାହକ ସଂଖ୍ୟା କୋଟିଏ ୨୦ ଲକ୍ଷ ପହଞ୍ଚିଥିବା ସ୍ଥଳେ ହଟଷ୍ଟାରର ଉପଭୋକ୍ତା ସଂଖ୍ୟା ୨୫ କୋଟି ଯାଏଁ ଛୁଇଁଲାଣି । ଏଭଳି ଭିତ୍ତିଭୂମି ଭବିଷ୍ୟତରେ ଗଣମାଧ୍ୟମରେ ଦେୟଯୁକ୍ତ ସେବା ପ୍ରସାର କ୍ଷେତ୍ରରେ ଆଶା ସଞ୍ଚାର କରିଥାଏ । ପ୍ରସ୍ତାବିତ ଫେସବୁକ ଆର୍ଥିକ ମଞ୍ଚ ‘ଲିବ୍ରା’ ଏଦିଗରେ ସହଯୋଗ କରିବା ସୁନିଶ୍ଚିତ ।            


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୮ ଜୁନ ୨୦୧୯


ତଥ୍ୟ:



Coming in 2020 : Calibra



< https://newsroom.fb.com/news/2019/06/coming-in-2020-calibra/>


 

What will Libra, Face book’s new cryptocurrency, mean for news ? June 18, 2019


<https://www.niemanlab.org/2019/06/what-will-libra-facebooks-new-cryptocurrency-mean-for-news/>


 

Why we’re joining the Libra Association. June 18, 2019



<https://newsroom.spotify.com/2019-06-18/why-were-joining-the-libra-association/>


 

OTT & Online music platforms. The Times of India (Bhubaneswar Edition) June 25, 2019.

 ହ୍ୱାଟସଆପ ପ୍ରସାରରେ ଆଙ୍କୁଶ

ପ୍ରଯୁକ୍ତି ବିଜ୍ଞାନଦ୍ୱାରା ବିକଶିତ ଗଣମାଧ୍ୟମର ନୂତନ ମଞ୍ଚଗୁଡ଼ିକର ଦୁରୋପଯୋଗ ରୋକିବା ଦିଗରେ ପ୍ରଯୁକ୍ତି ବିଜ୍ଞାନ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ । ୨୦୧୮ ଜୁଲାଇ ତୃତୀୟ ସପ୍ତାହରେ ହ୍ୱାଟସଆପ ପକ୍ଷରୁ ତଥ୍ୟ, ଚ଼ିତ୍ର ଓ ଭିଡ଼ିଓ ମେସେଜଗୁଡ଼ିକୁ ଏହାର ଉପଭୋକ୍ତାମାନେ ମାତ୍ର ପାଞ୍ଚଗୋଟିପ୍ରସାର ବା ଫରୱାଡ଼ କରିପାରିବା ସୀମା ନିର୍ଦ୍ଧାରଣ ଫଳରେ ସେହି ମଞ୍ଚରେ ଗୁଜବ ପ୍ରଚ଼ାରରେ ଫଳପ୍ରଦ ଅଙ୍କୁଶ ଉପଯୋଗ ହୋଇପାରିବ ବୋଲି ବିଶ୍ୱାସ କରାଯାଏ । ଏଥି ପୂର୍ବରୁ ହ୍ୱାଟସଆପ ଇନଷ୍ଟାଣ୍ଟ ମେସେଜିଂ ମାଧ୍ୟମରେ ଗୋଟିଏ ମେସେଜର ୨୫୬ଗୋଟି ଫରୱାଡ଼ ସୁବିଧା ମିଳୁଥିଲା । ଫଳରେ ଗୁଜବ ସହଜରେ ବହୁସଂଖ୍ୟକ ଗ୍ରହୀତାଙ୍କ ନିକଟରେ ପହଞ୍ଚି ପାରୁଥିଲା ।


 

ହ୍ୱାଟସଆପ ମଞ୍ଚରେ ପିଲାଚ଼ୋର ଗୁଜବ ପ୍ରସାର କାରଣରୁ ୨୦୧୮ ପ୍ରଥମାର୍ଦ୍ଧରେ ଭାରତର ବିଭିନ୍ନ ପ୍ରାନ୍ତରେ ନିର୍ଦ୍ଦୋଷଙ୍କୁ ଗୋଷ୍ଠୀବଦ୍ଧ ଆକ୍ରମଣରେ କିଛି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।ଗୋଷ୍ଠୀବଦ୍ଧ ଆକ୍ରମଣ ଭଳି ସାମାଜିକ ସଂକଟର ମୁକାବିଲା କରିବା ନିମନ୍ତେ ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ ତାଗିଦ କରିଥିଲେ । କେନ୍ଦ୍ର ସରକାର ମେସେଜିଂ ଆପ କର୍ତ୍ତୃପକ୍ଷଙ୍କୁ ଦୁଇବାର ପତ୍ରଦ୍ୱାରା ହିଂସା ଉଦ୍ରେକର ମୁଖ୍ୟ କାରଣ ଗୁଜବ ପ୍ରଚ଼ାର ରୋକିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଶ୍ୱବ୍ୟାପୀ ହ୍ୱାଟସଆପ ମଞ୍ଚରେ ବହୁ ସଂଖ୍ୟାରେ ଫରୱାଡ଼ପ୍ରତି କଟକଣା ଲାଗୁ କରାଯାଇଥିବା ଭାରତୀୟ ପୃଷ୍ଠଭୂମିରେ ଗୁରୁତ୍ୱ ବହନ କରିଥାଏ ।


 

ଆନ୍ତର୍ଜାତିକସ୍ତରରେ ଜନସାଧାରଣ ପରସ୍ପର ମଧ୍ୟରେ ସମ୍ୱାଦ ପ୍ରସାର ନିମନ୍ତେ ୨୦୧୭-୧୮ ବେଳକୁ ସୋସିଆଲ ମିଡ଼ିଆ ଫେସବୁକରୁ ମେସେଜିଂ ଆପ ହ୍ୱାଟସଆପ ବ୍ୟବହାରକୁ ପ୍ରାଧାନ୍ୟ ଦେଉଥିବା ଜଣାଯାଇଥାଏ । ରଏଟର ଇନଷ୍ଟିଟିଉଟ ଦ୍ୱାରା ପାଞ୍ଚଗୋଟି ମହାଦେଶର ୩୭ଗୋଟି ରାଷ୍ଟ୍ରରେ ୭୪ ହଜାର ଅନଲାଇନ ଉପଭୋକ୍ତାଙ୍କ ଗହଣରେ ଆୟୋଜିତ ସର୍ବେକ୍ଷଣରେ ହ୍ୱାଟସଆପର ଲୋକପ୍ରିୟତା ପ୍ରମାଣିତ ହୋଇଛି । ଅନୁଷ୍ଠାନପକ୍ଷରୁ ପ୍ରକାଶିତ ‘ଡ଼ିଜିଟାଲ ନିଉସ ରିପୋର୍ଟ’ର ୨୦୧୮ ସଂସ୍କରଣରେ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକଙ୍କ ମଧ୍ୟରେ ସମ୍ୱାଦ ପ୍ରସାରଣରେ ସୋସିଆଲ ମିଡ଼ିଆର ବ୍ୟବହାର ବର୍ଷକ ମଧ୍ୟରେ ଛଅ ପ୍ରତିଶତ କମିଯାଇଥିବା ତଥା ଅଧିକାଂଶ ବ୍ୟକ୍ତି ମେସେଜିଂ ଆପ ଆଡ଼କୁ ଆକୃଷ୍ଟ ହେଉଥିବା ଉଲ୍ଲେଖ କରାଯାଇଛି ।


 

ଭାରତରେ ୨୦୧୮ ମଧ୍ୟଭାଗ ସୁଦ୍ଧା ୨୦ କୋଟି ହ୍ୱାଟସଆପ ଉପଭୋକ୍ତା ଥିବା ବେଳେ ଏଥି ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଅନ୍ୟକୌଣସି ଅନଲାଇନ ମଞ୍ଚ ବ୍ୟବହାର କରିନଥାନ୍ତି । ସମ୍ୱାଦ ପ୍ରସାରରେ ଉପଯୋଗ କରାଯାଉଥିବା ଟୁଇଟର ଓ ଫେସବୁକ ତୁଳନାରେ ହ୍ୱାଟସଆପ ବ୍ୟବହାର ସହଜ ତଥା ଏଥିରେ ଫୋନଯୋଗେ ବାର୍ତ୍ତାଳାପ ଓ ଭିଡ଼ିଓ ଚ଼ାଟିଂର ସୁବିଧାଥିବା ହେତୁ ହ୍ୱାଟସଆପର ଲୋକପ୍ରିୟତା ବଢ଼ିଚ଼ାଲିଥିବା କୁହାଯାଉଛି । ସାମାଜିକଧାରାରେ ଯେକୌଣସି ନୂତନ ମଞ୍ଚ ପ୍ରତିଷ୍ଠିତ ହେଲେ ତାହାର ଦୁରୋପଯୋଗ ଆରମ୍ଭ ହୋଇଥାଏ ଏବଂ ହ୍ୱାଟସଆପକ୍ଷେତ୍ରରେ ତାହାହିଁ ଘଟିଲା ।


 

ସୋସିଆଲ ମିଡ଼ିଆର ବିକାଶକାଳରେ ୨୦୦୮ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚ଼ନ ପ୍ରଚ଼ାରରେ ଫେସବୁକ ଓ ଟୁଇଟର ଉପଯୋଗ ଆରମ୍ଭ ହୋଇଥିଲା ଏବଂ ଆଠ ବର୍ଷ ପରେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚ଼ନରେ ଫେସବୁକ ମଞ୍ଚରେ ଗୁଜବ ପ୍ରସାର ଦ୍ୱାରା ନିର୍ବାଚ଼ନ ଫଳାଫଳ ପ୍ରଭାବିତ ହୋଇଥିବା ଅଭିଯୋଗ ଉଠିଥିଲା । ଭାରତରେ ୨୦୧୨ ନିର୍ବାଚ଼ନରେ ଅନୁରୂପ ଧାରା ଆରମ୍ଭ ହୋଇ ୨୦୧୮ର କର୍ଣ୍ଣାଟକ ବିଧାନସଭା ନିର୍ବାଚ଼ନ ପ୍ରଚ଼ାର ନିମନ୍ତେ ରାଜନୈତିକ ଦଳମାନେ ହ୍ୱାଟସଆପକୁ ପ୍ରାଧାନ୍ୟ ଦେଇ ପଚ଼ାଶ ହଜାର ହ୍ୱାଟସଆପ ଗୃପ ଗଠନ କରିଥିବା ଚର୍ଚ୍ଚିତ ହୋଇଥିଲା ।


 

ହ୍ୱାଟସଆପ ମେସେଜ ପ୍ରସାରରେ ଇନକ୍ରାପ୍ଟସନ ପଦ୍ଧତି ଉପଯୋଗ କରାଯାଉଥିବା ହେତୁ ଜଣକଠାରୁ ଅନ୍ୟଜଣକୁ ପ୍ରେରିତ ତଥ୍ୟ, ଚ଼ିତ୍ର ବା ଭିଡ଼ିଓ ଗ୍ରହୀତାଙ୍କ ବ୍ୟତୀତ ଅନ୍ୟ କେହି ଦେଖିପାରି ନଥାନ୍ତି । ଏପରିକି ହ୍ୱାଟସଆପ ମଞ୍ଚ ପରିଚ଼ାଳନା କରୁଥିବା କର୍ତ୍ତୃପକ୍ଷ ମଧ୍ୟ ତନଖି ପାରିବା ସୁଯୋଗ ନଥାଏ । ଫଳରେ ଗୁଜବ ପ୍ରସାର କାଳରେ ତୃତୀୟପକ୍ଷର ଅନୁପସ୍ଥିତିରେ ପ୍ରସାରିତ ତଥ୍ୟର ସତ୍ୟତା ପରଖିବା କଷ୍ଟକର ହୋଇପଡ଼େ । ଗବେଷଣାରୁ ଜଣାଯାଏ ଯେ ସତ୍ୟ ବଦଳରେ ଗୁଜବ ଅଧିକ ଥର ପ୍ରସାର ବା ଫରୱାଡ଼ କରାଯାଇଥାଏ ଏବଂ ଅଧିକାଂଶସ୍ଥଳେ ଚ଼ାଞ୍ଚଲ୍ୟ କାରଣରୁ କୌତୁହଳବଶତଃ ଉପଭୋକ୍ତାମାନେ ଗୁଜବ ପ୍ରସାର କରିଥାନ୍ତି । ଗୁଜବ ପ୍ରସାର ସାମାଜିକ ଅଶାନ୍ତି ସୃଷ୍ଟି କରୁଥିବା ହେତୁ ବିଶ୍ୱବ୍ୟାପୀ ଅନଲାଇନ ଉପଭୋକ୍ତାମାନେ ଊଦବେଗ ପ୍ରକାଶ କରୁଥିବା ରଏଟର ଇନଷ୍ଟିଟିଉଟ ପକ୍ଷରୁ ଆହୂତ ସର୍ବେକ୍ଷଣରୁ ଜଣାଯାଇଥାଏ ।


 

ସୋସିଆଲ ମିଡ଼ିଆରେ ଗୁଜବ ପ୍ରସାର ନିମନ୍ତେ ସଂପୃକ୍ତ ମଞ୍ଚଗୁଡ଼ିକୁ ଦାୟୀ କରାଯାଉଥିଲେ ହେଁ ବୈଷୟିକ ଜ୍ଞାନ କୌଶଳ ଅଭାବରୁ ପ୍ରସାରଣ ରୋକିବା ସଂଭବପର ହୋଇପାରୁ ନଥିଲା । ଟୁଇଟର ଓ ଫେସବୁକଭଳି ମଞ୍ଚରେ ପ୍ରକାଶିତ ତଥ୍ୟଗୁଡ଼ିକୁ ତୃତୀୟପକ୍ଷ ପରଖିବାର ସୁଯୋଗ ଥିବାସ୍ଥଳେ ହ୍ୱାଟସଆପରେ ସେଭଳି ସୁବିଧା ଅଭାବ ପରିସ୍ଥିତିକୁ ଜଟିଳ କରିପକାଉଥିଲା । ଅନଲାଇନ ପରିଧିରେ ପ୍ରସାରିତ ସମ୍ୱାଦଗୁଡ଼ିକର ସତ୍ୟତା ପରଖିବା ନିମନ୍ତେ ଆମ ଦେଶରେ ‘ବୁମ ଲାଇଭ’ ଭଳି ଅନଲାଇନ ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥାମାନ କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ଏଭଳି ସୁଯୋଗ ବିସ୍ତୃତ ଉପଭୋକ୍ତାଙ୍କ ନିମନ୍ତେ ପର୍ଯ୍ୟାପ୍ତ ନଥିଲା । ହ୍ୱାଟସଆପ କ୍ଷେତ୍ରରେ ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥାକୁ କୌଣସି ମେସେଜ ଫରୱାଡ଼ ନକରାଗଲେ ତାହାର ସତ୍ୟତା ପରଖିବା ଅସଂଭବ ପ୍ରମାଣିତ ହେଉଥିଲା ।


 

ଭାରତରେ କେନ୍ଦ୍ର ସରକାରଙ୍କ ତଥ୍ୟ ଓ ସୂଚ଼ନା ମନ୍ତ୍ରଣାଳୟପକ୍ଷରୁ ‘ସୋସିଆଲ ମିଡ଼ିଆ କମ୍ୟୁନିକେସନ ହବ’ ଶୀର୍ଷକ ଏକ ଉପକ୍ରମ ସୃଷ୍ଟି କରାଯାଇ ସମସାମୟିକ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ପ୍ରସାରିତ ତଥ୍ୟ, ଚ଼ିତ୍ର ଓ ଭିଡ଼ିଓଗୁଡ଼ିକୁ ଅନୁଧ୍ୟାନ କରିବା ନିମନ୍ତେ ଉଦ୍ୟମ ଆରମ୍ଭ କରାଯାଇଥିଲା । ମନ୍ତ୍ରାଳୟ ଅଧୀନସ୍ଥ ‘ବ୍ରଡ଼କାଷ୍ଟ ଇଞ୍ଜିନିୟରିଂ କନସଲଟାଣ୍ଟସ ଇଣ୍ଡିଆ ଲିମିଟେଡ଼’ ପକ୍ଷରୁ ଘରୋଇ ପରିଚ଼ାଳନାରେ ଏହି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଟେଣ୍ଡର ପ୍ରକାଶ କରାଯାଇଥିଲା । ଏକ ୨୦ ଜଣିଆ ଗଣମାଧ୍ୟମ ଅନୁଶୀଳନକାରୀ ଗୋଷ୍ଠୀ ମାଧ୍ୟମରେ ଫେସବୁକ୍, ଟୁଇଟର, ୟୁ-ଟ୍ୟୁବ, ଇନଷ୍ଟ୍ରାଗ୍ରାମ, ଗୁଗୁଲ, ଲିଙ୍କଡ଼-ଇନ, ଫ୍ଳିକର, ଟମ୍ୱଲର, ପ୍ରିଣ୍ଟେରେଷ୍ଟ ଓ ପ୍ଳେ-ଷ୍ଟୋର ଭଳି ସୋସିଆଲ ମିଡ଼ିଆ ମଞ୍ଚ ଅନୁଧ୍ୟାନ କରି ସେଥିରେ ପ୍ରସାରିତ ତଥ୍ୟାବଳୀ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ସମୀକ୍ଷାକରି ମନ୍ତ୍ରଣାଳୟକୁ ନିୟମିତ ଭାବେ ଅବଗତ କରାଇବା ଏବଂ ଏଭଳି ତଥ୍ୟର ଅଭିଲେଖାଗାର ଗଠନ କରିବା ନିମନ୍ତେ ବିଜ୍ଞାପିତ ହୋଇଥିଲା ।


 

ତୃଣମୂଳ କଂଗ୍ରେସର ବିଧାୟକ ମହୁଆ ମୈତ୍ର କେନ୍ଦ୍ରସରକାରଙ୍କ ଏଭଳି ଉଦ୍ୟମ ସାଧାରଣ ନାଗରିକଙ୍କ ଗୋପନୀୟତା ଉଲଂଘନ କରୁଥିବା ଦର୍ଶାଇ ଜନସ୍ୱାର୍ଥ ମାମଲା ଦାୟର କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ଉଚ୍ଚନ୍ୟାୟାଳୟ ବିଚ଼ାର କରିବା ନିମନ୍ତେ ସମ୍ମତ୍ତି ପ୍ରଦାନ କରିଥିଲେ । ସୋସିଆଲ ମିଡ଼ିଆ ପ୍ରସାରଣ ସ୍ଥଳବିଶେଷରେ ସାମାଜିକ ଅସ୍ଥିରତାର କାରଣ ପାଲଟୁଥିବା ଅବସରରେ ଏଦିଗରେ ସରକାରୀ ସମୀକ୍ଷା ଏକ ପକ୍ଷରେ ଆବଶ୍ୟକ ଅନୁଭୂତ ହେଉଥିବା ସ୍ଥଳେ ଅପରପକ୍ଷରେ ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ଧାରା ୨୧ କ୍ଷୁର୍ଣ୍ଣ କରିବା ନିମନ୍ତେ ସୁଯୋଗ ସୃଷ୍ଟି ହେବ ବୋଲି ମଧ୍ୟ ଆଶଙ୍କା ଅମୂଳକ ନୁହେଁ ।


 

ଏତାଦୃଶ ପରିବେଶରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ନିଜପକ୍ଷରୁ ପ୍ରଦତ୍ତ ସୁବିଧାସୁଯୋଗର ଦୁରୋପଯୋଗ ରୋକିବା ନିମନ୍ତେ ବୈଷୟିକ କଟକଣା ଉପଯୋଗ କରିବା ସର୍ବାପେକ୍ଷା ନୀତିସମ୍ମତ୍ତ ଓ ଫଳପ୍ରଦ ମନେହୁଏ । ଗଣମାଧ୍ୟମରେ ଏକଚ଼ାଟିଆ ବିସ୍ତୃତି ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ଆଶଙ୍କାରେ ଆଇନକାନୁନର ବ୍ୟବସ୍ଥା ରହିଛି । ପରିବର୍ତ୍ତିତ ପରିସ୍ଥିତିରେ ଅନଲାଇନ କ୍ଷେତ୍ରରେ ସେଗୁଡ଼ିକର ଉପଯୋଗ ଆବଶ୍ୟକ । ପ୍ରତ୍ୟେକ ନୂତନ ଉଦ୍ଭାବନ ତାହାର ଦୁରୋପଯୋଗର ସମ୍ଭାବନାକୁ ନେଇ ପହଞ୍ଚିଥାଏ । ସେଗୁଡ଼ିକର ସମୟଉପଯୋଗୀ ସମାଧାନର ପନ୍ଥା ନିର୍ଦ୍ଧାରଣ ତାତ୍ପର୍ଯ୍ୟପୂର୍ଣ୍ଣ ।              


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଜୁଲାଇ ୨୦୧


ତଥ୍ୟ:


 

Rathee, Kiran. WhatsApp limits text forwards. Weekend Business Standard (Bhubaneswar Edition), 21/22 July 2018.


 

Datta, Devangshu. Filtering poison on WhatsApp.Weekend Business Standard (Bhubaneswar Edition) 21/22 July 2018.


 

Rise in use of WhatsAppnews : Study. The Hindu (Cuttack Edition) June 15, 2018.


 

Mahapatra, Dhananjaya. SC to hear PIL against social media hub.The Times of India (Cuttack Edition) June 19, 2018.

ଆଞ୍ଚଳିକ ଓ ଯାନ୍ତ୍ରିକ ଜ୍ଞାନ ସମୃଦ୍ଧ 'ହେଲୋ' ଆପ

ଭାରତରେ ୨୦୧୯ ମଧ୍ୟଭାଗ ସୁଦ୍ଧା ଦୃତ ଗତିରେ ପ୍ରସାରଲାଭ କରୁଥିବା ମୋବାଇଲ ଆପ୍ଳିକେସନଗୁଡ଼ିକ ମଧ୍ୟରେ ‘ହେଲୋ’ ଅନ୍ୟତମ । ଚୀନର ବେଇଜିଂରେ ଅବସ୍ଥାପିତ ବାଇଟଡ଼େନ୍ସ କର୍ତ୍ତୃକ ପରିଚାଳିତ ‘ଟିକ ଟକ’ ଆପର ବିପୁଳ ଲୋକପ୍ରିୟତା ପରେ ସେହି ନିର୍ଦ୍ଦିଷ୍ଟ ସଂସ୍ଥା ପ୍ରଯୋଜିତ ‘ହେଲୋ’ ଆପ ମଧ୍ୟ ଆମ ଦେଶରେ ଆଦୃତ ହେବାରେ ଲାଗିଛି ।


 

ମୁଖ୍ୟତଃ ମଧ୍ୟମ ଓ କ୍ଷୁଦ୍ର ସହରାଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ବ୍ୟବହାର ଲକ୍ଷ୍ୟରେ ‘ହେଲୋ’ ଆପ ୨୦୧୮ ଜୁନ ମାସରେ ଭାରତରେ ଉନ୍ମୋଚ଼ିତ ହୋଇଥିଲା । ପ୍ରଥମ ମାସରେ ଆପଟିକୁ ୧୦ ଲକ୍ଷ ଉପଭୋକ୍ତା ଡ଼ାଉନଲୋଡ଼ କରିଥିବା ସ୍ଥଳେ ଛଅ ମାସରେ ଡ଼ିସେମ୍ୱର ବେଳକୁ ମାସିକ ଉପଭୋକ୍ତା ସଂଖ୍ୟା ‘ମନଥିଲିଏକ୍ଟିଭୟୁଜର୍ସ’ ୨ କୋଟି ୫୦ ଲକ୍ଷରେ ପହଞ୍ଚିଥିଲା ଏବଂ ବର୍ଷକ ପରେ ୨୦୧୯ ଜୁନ ମାସ ବେଳକୁ ପାଞ୍ଚ କୋଟି ଉପଭୋକ୍ତା ହିସାବ କରାଯାଇଥିଲା । ବାଇଟଡ଼େନ୍ସ ପକ୍ଷରୁ ୨୦୧୯ ଶେଷ ଡ଼ିସେମ୍ୱର ସୁଦ୍ଧା ଆପର ବ୍ୟବହାରକାରୀ ସଂଖ୍ୟା ଦଶ କୋଟିରେ ପହଞ୍ଚିବା ଆଶା କରାଯାଉଛି ।


 

ସୋସିଆଲ ମିଡ଼ିଆ ‘ହେଲୋ’ ମଞ୍ଚରେ ସ୍ଥାନୀୟ ଘଟଣାକ୍ରମ, ପର୍ବପର୍ବାଣୀ ଓ କ୍ରୀଡ଼ା ବିବରଣୀର ପାଠ୍ୟ ଓ ଭିଡ଼ିଓ ସ୍ଥାନିତ ହୋଇଥାଏ । ଏତଦ୍ବ୍ୟତୀତ ସ୍ଥାନୀୟ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମଗୁଡ଼ିକ ସହ ସହବନ୍ଧନ ବ୍ୟବସ୍ଥା କରାଯାଏ । ‘ହେଲୋ’ ଓଡ଼ିଆ ସମେତ ୧୪ ଗୋଟି ଭାରତୀୟ ଭାଷାରେ ଉପଲବ୍ଧ । ଆଞ୍ଚଳିକ ଭାଷାରେ ସ୍ଥାନୀୟ କାର୍ଯ୍ୟକ୍ରମ ପ୍ରସାରଣ ହେତୁ ଆପର ଉପଭୋକ୍ତା ସଂଖ୍ୟା ବୃଦ୍ଧିରେ ସହାୟକ ହେଉଥିବା ଲକ୍ଷ୍ୟ କରାଯାଏ ।


 

ଅପରପକ୍ଷେ ଉପଭୋକ୍ତାମାନଙ୍କ ରୁଚ଼ିସମୀକ୍ଷାକରି ସେମାନଙ୍କ ପସନ୍ଦଯୋଗ୍ୟ ପାଠ୍ୟ ଓ ଭିଡ଼ିଓ ପ୍ରସ୍ତୁତିରେ ‘ହେଲୋ’ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ମଞ୍ଚ ତୁଳନାରେ ଏହି ମଞ୍ଚ ନିମନ୍ତେ ବିଷୟବସ୍ତୁ ‘କଣ୍ଟେଣ୍ଟ’ ପ୍ରସ୍ତୁତି ଅନ୍ୟତମ ବିଶେଷତ୍ୱ । ଏହି କାରଣରୁ ଉପଭୋକ୍ତାମାନଙ୍କ ଆପ ମଞ୍ଚକୁ ବାରମ୍ୱାର ପ୍ରତ୍ୟାବର୍ତ୍ତନ ଓ ଦୀର୍ଘ ସମୟ ଉପସ୍ଥିତିକୁ ପ୍ରଭାବିତ କରିଥାଏ । ବାଇଟଡ୍ୟାନ୍ସର ହିସାବ ଅନୁଯାୟୀ ସାଧାରଣ ଉପଭୋକ୍ତାମାନେ ‘ହେଲୋ’ ମଞ୍ଚରେ ପ୍ରତିଥର ହାରାହାରି ୩୦ ମିନଟ ଅତିବାହିତ କରିଥାନ୍ତି ।


 

ଭାରତର ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ି ଚ଼ାଲିଥିବା ଅବସରରେ ଆଞ୍ଚଳିକ ଭାଷା ଓ ସ୍ଥାନୀୟ ବିଷୟବସ୍ତୁ ଆଧାରିତ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ପ୍ରସାରଣର ସୁଯୋଗ ସୃଷ୍ଟିକରି ଟିକଟକ ଓ ହେଲୋ ଭଳି ସୋସିଆଲ ମିଡ଼ିଆ ମଞ୍ଚର ଲୋକପ୍ରିୟତା ଗଣମାଧ୍ୟମ ପରିଧିରେ ନୂତନ ପରିବେଶ ସୃଷ୍ଟି କରିବାରେ ଲାଗିଛି ।


 

ଯୁକ୍ତରାଷ୍ଟ୍ର ଆମେରିକାରେ କିଶୋର ଓ ଯୁବବର୍ଗଙ୍କ ମଧ୍ୟରେ ଆୟୋଜିତ କେତେକ ଗଣମାଧ୍ୟମ ସର୍ବେକ୍ଷଣରୁ ଜଣାଯାଇଛି ଯେ ସେମାନେ କ୍ରମଶଃ ଟେଲିଭିଜନ ସମ୍ୱାଦ ଅପେକ୍ଷା ସୋସିଆଲ ମିଡ଼ିଆ ମଞ୍ଚରେ ପ୍ରସାରିତ ସମ୍ୱାଦକୁ ଗୁରୁତ୍ୱ ଦେଉଛନ୍ତି । ଏଗୁଡ଼ିକ ଏକେତ ସେମାନଙ୍କ ପରିବାର ସଦସ୍ୟ ବା ବନ୍ଧୁବର୍ଗଙ୍କ ସଂପର୍କୀତ କିମ୍ୱା ରାଷ୍ଟ୍ରୀୟ ତଥା ଆନ୍ତର୍ଜାତିକ ଘଟଣାକ୍ରମ ସଂପର୍କରେ ଅନ୍ୟ ସୂତ୍ରରୁ ଉର୍ଦ୍ଧୃତ । ଅର୍ଥାତ ଦର୍ଶକମାନେ ନିଜ ପରିଚ଼ିତ ସୂତ୍ର ସଂପର୍କୀତ କିମ୍ୱା ସେମାନଙ୍କ ଦ୍ୱାରା ପ୍ରସାରିତ ସମ୍ୱାଦ ପ୍ରତି ଆଗ୍ରହୀ । ବିକଶିତ ରାଷ୍ଟ୍ରଗୁଡ଼ିକରେ ପ୍ରଚଳିତ ଏହି ଧାରା ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଜନସାଧାରଣରେ ମଧ୍ୟ ପ୍ରତିଫଳନ ସୁନିଶ୍ଚିତ ।


 

ଗଣମାଧ୍ୟମରେ ପ୍ରସାରିତ ପାଠ୍ୟ ଓ କାର୍ଯ୍ୟକ୍ରମଗୁଡ଼ିକ ପାଠକ ଓ ଦର୍ଶକମାନେ କିପରି ଗ୍ରହଣ କରୁଛନ୍ତି ତାହାରି ଉପରେ ଲୋକପ୍ରିୟତା ନିର୍ଭର କରିଥାଏ । କିନ୍ତୁ ପାରମ୍ପରିକ ଭାବେ ଲେଖକ କିମ୍ୱା କାର୍ଯ୍ୟକ୍ରମ ପ୍ରଯୋଜକମାନେ ଅନେକ ସମୟରେ ନିର୍ଦ୍ଦିଷ୍ଟ ପାଠ୍ୟ କିମ୍ୱା କାର୍ଯ୍ୟକ୍ରମର ଗ୍ରହଣୀୟତା ସଂପର୍କରେ ତଥ୍ୟ ପାଇପାରୁନଥିବା ହେତୁ ସେ ସଂପର୍କରେ ଅବଗତ ନଥାନ୍ତି । ଫଳତଃ ଗଣମାଧ୍ୟମ ପ୍ରସାରଣର ଗୁଣବତ୍ତା ବୃଦ୍ଧି ଅନେକ କ୍ଷେତ୍ରରେ ସମ୍ଭବ ହୋଇପାରେ ନାହିଁ । ଆପଭିତ୍ତିକଅନଲାଇନ ପରିବେଶରେ ପାଠକ ଓ ଦର୍ଶକମାନଙ୍କ ରୁଚ଼ିତତ୍କ୍ଷଣାତ ପରଖିବା ସଂଭବପର ଥିବା ଅବସରରେ ‘ହେଲୋ’ ଆପରେ ସେଭଳି ଉପଯୋଗ ସନ୍ନିବଶିତ କରାଯାଇଛି । ଏହି ବୈଶିଷ୍ଟ୍ୟ ‘ହେଲୋ’ ଆପ ନିମନ୍ତେ ରୁଚ଼ିଶୀଳ କାର୍ଯ୍ୟକ୍ରମ ପ୍ରଯୋଜନାରେ ସଂଭବପର ହୋଇପାରୁଛି ।


 

ଉପଭୋକ୍ତାମାନଙ୍କ ଆପ ବ୍ୟବହାର ଶୈଳୀ, ଅର୍ଥାତ କେତେଥର ବା ସମୟ ପଢୁଛନ୍ତି ବା ଦେଖୁଛନ୍ତି, କେଉଁଟିକୁ ପସନ୍ଦ କରୁଛନ୍ତି କିମ୍ୱା କେଉଁଟିକୁ ନାପସନ୍ଦ କରୁଛନ୍ତି ତତ୍ସଂପର୍କୀତ ବିଶ୍ୱାସନୀୟ ଓ ବିସ୍ତୃତ ତଥ୍ୟ ଅନୁଶୀଳନ ନିମନ୍ତେ ଯାନ୍ତ୍ରିକ ଜ୍ଞାନ ‘ମେସିନ ଲେରନିଙ୍ଗ’ ସାହାଯ୍ୟ କରିଥାଏ । ସବୁଠାରୁ ବଡ଼କଥାହେଲା ଏ ସମସ୍ତ କାର୍ଯ୍ୟ କ୍ଷଣିକ ମଧ୍ୟରେ ସମ୍ପନ୍ନ ହୋଇପାରୁଥିବା ହେତୁ ପ୍ରସାରିତ କାର୍ଯ୍ୟକ୍ରମର ଗୁଣବତ୍ତା ବୃଦ୍ଧିଲାଗି ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ରହେ । ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକର ବ୍ୟାପକ ପ୍ରସାରଲାଗି ଉପଭୋକ୍ତାଙ୍କ ରୁଚ଼ି ବିଶ୍ଳେଷଣର ବିଶ୍ୱାସନୀୟତଥ୍ୟାବଳୀଗୁରୁତ୍ୱବହନ କରିଥାଏ ।


 

‘ହେଲୋ’ ଆପ ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ସିଙ୍ଗାପୁର, ମାଲେସିଆ, ସାଉଦୀ ଆରବ, ୟୁନାଇଟେଡ଼ ଆରବ ଇମ୍ରେଟସ, ଓମାନ, କୁଏତ, କ୍ୱାତର, ନେପାଳ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ବାଲାଂଦେଶ ୧୩ ଗୋଟି ବିଦେଶୀ ରାଷ୍ଟ୍ରରେ ଅବସ୍ଥାପିତ ଭାରତୀୟମାନଙ୍କ ମଧ୍ୟରେ ଉପଭୋକ୍ତା ବୃଦ୍ଧି ନିମନ୍ତେ ବିଧିବଦ୍ଧ ଉଦ୍ୟମ ଚାଲୁ ରହିଛି, ଏଥି ସହ ବିଭିନ୍ନ ଭାରତୀୟ ଆଞ୍ଚଳିକ ଭାଷାରେ ଶତାଧିକ ସୃଜନ ପ୍ରତିଭାଙ୍କୁ ପାଠ୍ୟ ଓ ଭିଡ଼ିଓ ପ୍ରସ୍ତୁତି ନିମନ୍ତେ ସହବନ୍ଧିତ କରାଯାଉଥିବା ଜଣାଯାଏ । ‘ହେଲୋ’ ପକ୍ଷରୁ ମଞ୍ଚର ବିକାଶ ଓ ପ୍ରସାର ନିମନ୍ତେ ବିପୁଳ ଅର୍ଥ ବିନିଯୋଗ ହେଉଥିବା ଦୃଷ୍ଟିରୁ କମ୍ପାନୀର ଦୀର୍ଘକାଳୀନ ବ୍ୟାବସାୟିକ ଯୋଜନା ସ୍ୱଷ୍ଟ ଅନୁମାନ କରାଯାଇପାରେ । ମଞ୍ଚ ମୁଖ୍ୟତଃ ବିଜ୍ଞାପନଭିତ୍ତିକ ଆୟ ପ୍ରତି ଦୃଷ୍ଟି ରଖିଥିବା ସ୍ଥଳେ ପ୍ରାଥମିକ ଅବସ୍ଥାରେ ଉପଭୋକ୍ତା ସଂଖ୍ୟା ବୃଦ୍ଧିପ୍ରତିଗୁରୁତ୍ୱ ଦେଉଛି ।               


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୯ ଜୁଲାଇ ୨୦୧


ତଥ୍ୟ:



Alawadhi, Neha. TikTok parent eyes 100mn users for Helo app. Business Standard (Bhubaneswar Edition). July 01, 2019.


ସୋସିଆଲ ମିଡ଼ିଆରେ ସାଧାରଣ ନିର୍ବାଚ଼ନ ୨୦୧୯

ଭାରତୀୟ ସାଧାରଣ ନିର୍ବାଚ଼ନ ୨୦୧୯ରେ ରାଜନୀତିକ ପ୍ରଚ଼ାର ଅଭିଯାନକୁ ସୋସିଆଲ ମିଡ଼ିଆ ଗଭୀରଭାବେ ପ୍ରଭାବିତ କରିଥିବା ଜଣାଯାଏ। ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ୨୦୦୮, ୨୦୧୨ ଓ ୨୦୧୬ ତିନିଗୋଟି ରାଷ୍ଟ୍ରପତି ନିର୍ବାଚ଼ନ ଅବସରରେ ପ୍ରଚ଼ାର ଅଭିଯାନ ମୁଦ୍ରଣ ଓ ଟେଲିଭିଜନ ତୁଳନାରେ ଇଣ୍ଟରନେଟ ମଞ୍ଚ ଗୁରୁତ୍ୱ ବହନ କରିଥିବା ସ୍ଥଳେ ବିକାଶୋନ୍ମଖୀ ଭାରତରେ ୨୦୧୪ ଲୋକସଭା ନିର୍ବାଚ଼ନରୁ ସୋସିଆଲ ମିଡ଼ିଆ ପ୍ରଚ଼ାର ଅଭିଯାନରେ ସାମିଲ ହୋଇଥିଲା ।


 

ଭାରତୀୟମାନଙ୍କ ମଧ୍ୟରେ ଇଣ୍ଟରନେଟ ସଂଯୁକ୍ତି ମୋବାଇଲ ଯୋଗେ ପ୍ରସାର ଲାଭ କରିଥିବା ହେତୁ ସ୍ମାର୍ଟଫୋନ ପ୍ରଚଳନର କିଛି ବର୍ଷ ପରେ ସୋସିଆଲ ମିଡ଼ିଆ ମଞ୍ଚ ଜନାକୀର୍ଣ୍ଣ ହେବାରେ ଲାଗିଲା । ୨୦୧୯ ବେଳକୁ ଇଣ୍ଟରନେଟ ସାମାଜିକ ଜୀବନରେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ସାରିଥିବା ହେତୁ ରାଜନୀତିକ ବିଚ଼ାରବିମର୍ଷ ପ୍ରକ୍ରିୟାରେ ସକ୍ରିୟ ହେବା ସ୍ୱାଭାବିକ ବୋଲି କୁହାଯାଇପାରେ ।


 

ବିଭିନ୍ନ ଆକଳନ ଅନୁଯାୟୀ ୨୦୧୯ ପ୍ରାରମ୍ଭ ସୁଦ୍ଧା ଭାରତରେ ୫୦ କୋଟିରୁ ଉର୍ଦ୍ଧ୍ୱ ଇଣ୍ଟରନେଟ ଉପଭୋକ୍ତା ଥିବା ସ୍ଥଳେ ୫୩ କୋଟି ସ୍ମାର୍ଟଫୋନ ବ୍ୟବହାର କରାଯାଉଥିବା ହିସାବ କରାଯାଏ । ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚ ‘ଫେସବୁକ’ରେ ୨୯ କୋଟି ୪୦ ଲକ୍ଷ, ‘ଟୁଇଟର’ରେ ୩ କୋଟି ଓ ‘ହ୍ୱାଟସଆପ’ରେ ୨୦ କୋଟି ଉପଭୋକ୍ତା ଉପସ୍ଥିତ । ଭାରତର ଲୋକସଭା ନିର୍ବାଚ଼ନ ୨୦୧୯ରେ ପ୍ରାୟ ୮୫ କୋଟି ଭୋଟର ଅଂଶଗ୍ରହଣ କରିବେ ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ଭୋଟର ଇଣ୍ଟରନେଟ ସଂଯୁକ୍ତ ଏବଂ ସମସଂଖ୍ୟକ ଉପଭୋକ୍ତା ଦୈନିକ ଭିତ୍ତିରେ ଦେଢ଼ରୁ ଚ଼ାରିଘଣ୍ଟା ଯାଏଁ ସ୍ମାର୍ଟଫୋନ ବ୍ୟବହାରରେ ବିତାଇଥାନ୍ତି । ଅବଶ୍ୟ ଜାତୀୟସ୍ତରରେ ୬୬ ପ୍ରତିଶତ ପରିବାର ମଧ୍ୟ ଟେଲିଭିଜନ କାର୍ଯ୍ୟକ୍ରମ ହାରାହରିଭାବେ ଦୈନିକ ୪ ଘଣ୍ଟା ୧୦ ମିନଟ ଯାଏଁ ଦେଖିଥାନ୍ତି । ତେଣୁ ଟେଲିଭିଜନ ଓ ସୋସିଆଲ ମିଡ଼ିଆ ଉଭୟ ମଞ୍ଚ ଭୋଟରଙ୍କୁ ସାଧାରଣ ନିର୍ବାଚ଼ନ ୨୦୧୯ରେ ସମଭାବେ ପ୍ରଭାବିତ କରିବବୋଲି ଆଶା କରାଯାଇପାରେ ।


 

ମୁଦ୍ରଣ ଓ ଟେଲିଭିଜନ ତୁଳନାରେ ସୋସିଆଲ ମିଡ଼ିଆ ରାଜନୀତିକ ପ୍ରଚ଼ାର ଅଭିଯାନରେ କେତେକ ସମସ୍ୟା ସୃଷ୍ଟି କରିଥାଏ । ମୁଦ୍ରଣ ଓ ଟେଲିଭିଜନରେ ବୃତ୍ତିଧାରୀ ଅଭିଜ୍ଞ ସାମ୍ୱାଦିକମାନେ ଉପାଦାନ ବା ‘କଣ୍ଟେଣ୍ଟ’ ନିୟନ୍ତ୍ରଣ କରୁଥିବା ତଥା ବିଭିନ୍ନସ୍ତରରେ ବିବରଣୀଗୁଡ଼ିକର ପ୍ରକାଶନ ଯୋଗ୍ୟତା ନିର୍ଦ୍ଧାରିତ ହେଉଥିବା ସ୍ଥଳେ ସୋସିଆଲ ମିଡ଼ିଆରେ ଯେକୌଣସି ଉପଭୋକ୍ତା ପ୍ରକାଶନର ସୁବିଧାସୁଯୋଗ ଉପଭୋଗ କରିଥାନ୍ତି । ସର୍ବୋପରି ସୋସିଆଲ ମିଡ଼ିଆର ପ୍ରକାଶନଗୁଡ଼ିକୁ ସମ୍ପାଦନା କରିବା ପ୍ରାବଧାନ ନଥାଏ । ଏପରିକି ‘ହ୍ୱାଟସଆପ’ ଭଳି ମଞ୍ଚରେ ପ୍ରେରକ ଓ ପ୍ରାପକଙ୍କ ବ୍ୟତୀତ ମଞ୍ଚ ପରିଚ଼ାଳକ ମଧ୍ୟ ପ୍ରସାରିତ ପାଠ୍ୟ ବା ଚ଼ିତ୍ର ପଢ଼ି ବା ଦେଖିପାରନ୍ତି ନାହିଁ ।


 

ଏହି ପରିବେଶରେ ଅସତ୍ୟ, ଅତିରଞ୍ଜିତ ଓ ବିଦ୍ୱେଷମୂଳକ ପାଠ୍ୟ ଓ ଚ଼ିତ୍ର ସୋସିଆଲ ମିଡ଼ିଆରେ ପ୍ରସାରଣ ରାଜନୀତିକ ପ୍ରଚ଼ାରକୁ ପ୍ରଭାବିତ କରିଥାଏ । ୨୦୧୬ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚ଼ନରେ ବୈଦେଶିକ ରାଷ୍ଟ୍ର ପକ୍ଷରୁ ସୋସିଆଲ ମିଡ଼ିଆଯୋଗେ ସେଠାକାର ଭୋଟରଙ୍କୁ ବିଭ୍ରାନ୍ତ କରାଇବାର ଅଭିଯୋଗ ଆନ୍ତର୍ଜାତିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଗବେଷଣାରୁ ଜଣାଯାଏ ଯେ ସତ୍ୟ ତୁଳନାରେ ଅସତ୍ୟ ସମ୍ୱାଦ ସୋସିଆଲ ମିଡ଼ିଆରେ ଦ୍ରୁତଗତିରେ ପ୍ରସାରିତ ହୋଇଥାଏ । ଅତଏବ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ ସୋସିଆଲ ମିଡ଼ିଆ ସ୍ଥଳ ବିଶେଷରେ ପ୍ରତିହତ କରୁଥିବା ହେତୁ ଏଭଳି ସମସ୍ୟାର ସମାଧାନ ଉଭୟ ମଞ୍ଚ ପରିଚ଼ାଳକ ଓ ପ୍ରଶାସନ ପାଇଁ ଆହ୍ୱାନରେ ପରିଣତ ହୋଇଛି ।


 

ବିଗତ କିଛି ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ବ୍ରିଟେନ, କେନିୟା, ବ୍ରାଜିଲ, ବାଲାଂଦେଶ ତଥା ଭାରତର ପ୍ରାଦେଶିକ ନିର୍ବାଚ଼ନଗୁଡ଼ିକରେ ରାଜନୀତିକ ପ୍ରଚ଼ାରରେ ସୋସିଆଲ ମିଡ଼ିଆ ଦୁରୋପଯୋଗର ଉଦାହରଣ ଭାରତୀୟ ସାଧାରଣ ନିର୍ବାଚ଼ନ ୨୦୧୯ଲାଗି ବିଭିନ୍ନସ୍ତରରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ନିମନ୍ତେ ଭାରତୀୟ ନିର୍ବାଚ଼ନ ଆୟୋଗଙ୍କ ପକ୍ଷରୁ ନିର୍ବାଚ଼ନର ଯଥେଷ୍ଟପୂର୍ବରୁ ଉଦ୍ୟମ ଆରମ୍ଭ ହୋଇଥିଲା । ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚ ଫେସବୁକ, ଟୁଇଟର ଓ ଗୁଗୁଲ ୨୦୧୮ ଅଗଷ୍ଟ ମାସରେ ଆୟୋଗଙ୍କସହ ଆଲୋଚ଼ନାରେ ସମ୍ଭାବ୍ୟ ସମସ୍ୟାଗୁଡ଼ିକ ଟାଳିବା ନିମନ୍ତେ ସହଯୋଗ କରିବା ନିମନ୍ତେ ସହମତି ପ୍ରକାଶ କରିଥିଲେ । ନିର୍ବାଚ଼ନ ପୂର୍ବ ୧୪ ଦିନର ରାଜନୀତିକ ପ୍ରଚ଼ାର ଅଭିଯାନକୁ ସୋସିଆଲ ମିଡ଼ିଆ ମଞ୍ଚରେ ପ୍ରଥମ ୧୨ ଦିନ ତନ୍ନ ତନ୍ନ କରି ପରୀକ୍ଷା କରାଯିବା ତଥା ଶେଷ ଦୁଇଦିନ ସମସ୍ତ ରକମର ପ୍ରଚ଼ାର ବନ୍ଦ ରଖାଯିବା ନିମନ୍ତେ ବୈଷୟିକ କୌଶଳ ଉପଯୋଗଲାଗି ଗୁରୁତ୍ୱ ଦିଆଯାଇଥିଲା ।


 

ଫେସବୁକ ପକ୍ଷରୁ କୁହାଯାଇଛି ଯେ ମଞ୍ଚ ପକ୍ଷରୁ ନିୟମିତ ଯାଞ୍ଚ କରାଯାଇଥାଏ ଏବଂ ଦୈନିକ ପ୍ରାୟ ଦଶ ଲକ୍ଷ ଏକାଉଣ୍ଟ ବ୍ଳକ କରିଦିଆଯାଇଥାଏ । ମଞ୍ଚରେ ପ୍ରସାରିତ ପାଠ୍ୟ ଓ ଚ଼ିତ୍ରଜନିତ ସୁରକ୍ଷା ତନଖିବା ଲାଗି ଆନ୍ତର୍ଜାତିକସ୍ତରରେ ତିରିଶି ହଜାର କର୍ମଚ଼ାରୀ ନିଯୁକ୍ତ ହୋଇଛନ୍ତି । ଅସତ୍ୟ ସମ୍ୱାଦ ପରଖିବା ନିମନ୍ତେ ସ୍ୱାଧୀନ ସମୀକ୍ଷକଙ୍କ ସହ ବୁଝାମଣା ସାଙ୍ଗକୁ ଏ ଦିଗରେ ସଚ଼େତନତା ପ୍ରସାରଲାଗି କ୍ରମାଗତ ଉଦ୍ୟମ ଅବ୍ୟାହତ ରହିଥିଲା । ପ୍ରତ୍ୟେକ ରାଜନୀତିକ ବିଜ୍ଞାପନକୁ ସର୍ବଜନୀନସ୍ତରରେ ସୂଚ଼ିତ କରିବା ସହ ବିଜ୍ଞାପନଦାତାଙ୍କ ପରିଚ଼ୟ ଯାଞ୍ଚ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ନିର୍ବାଚ଼ନ ଅବସରରେ ଫେସବୁକରେ ପ୍ରକାଶିତ ସମସ୍ତ ବିଜ୍ଞାପନ ଏକ ସ୍ୱତନ୍ତ୍ର ସାଇଟରେ ଗଚ୍ଛିତ ରଖାଯାଇ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିଥିଲା । ଏହି ‘ଏଡ଼ଭାଟାଇଜମେଣ୍ଟ ଲାଇବ୍ରେରୀରେ’ କେଉଁ ବିଜ୍ଞାପନ ପାଇଁ କିଏ କେତେ ଟଙ୍କା ଦଖଲ କରିଛନ୍ତି ସେହି ହିସାବ ପ୍ରଦର୍ଶିତ ହୋଇଥିଲା। ଏହା ଫଳରେ ବିଜ୍ଞାପନ, ସମ୍ୱାଦ ଓ ଅଭିମତ ନିର୍ଦ୍ଧାରଣରେ ସ୍ୱଚ୍ଛତା ବୃଦ୍ଧି ପାଇବା ସ୍ୱାଭାବିକ।


 

ଟୁଇଟର ମଞ୍ଚରେ ଉପଭୋକ୍ତା ସଂଖ୍ୟା ଭାରତରେ କମ ହେଲେ ହେଁ ୨୦୧୮ରେ ଅନୁଷ୍ଠିତ ପାଞ୍ଚଗୋଟି ପ୍ରାଦେଶିକ ନିର୍ବାଚ଼ନରେ ହିନ୍ଦି ଓ ତେଲୁଗୁ ଭାଷାଭାଷୀ ଅଞ୍ଚଳରେ ଏହାର ବହୁଳ ବ୍ୟବହାର ଲକ୍ଷ୍ୟ କରାଯାଇଥିଲା । ଭାରତର ଗ୍ରାମାଞ୍ଚଳରେ ପ୍ରାୟ ୧୯ କୋଟି ଇଣ୍ଟରନେଟ ଉପଭୋକ୍ତାଙ୍କୁ ଟୁଇଟର ମଞ୍ଚ ବ୍ୟବହାର ସଂପର୍କରେ ପ୍ରଶିକ୍ଷିତ କରାଇବା ନିମନ୍ତେ ୨୦୧୮ ଶେଷଭାଗରୁ ଉଦ୍ୟମ ଆରମ୍ଭ କରାଯାଇଥିବା ସ୍ଥଳେ ୨୦୧୯ ସାଧାରଣ ନିର୍ବାଚ଼ନରେ ଟୁଇଟର ଲୋକପ୍ରିୟତା ହାସଲ କରିଥିବାବିଶ୍ୱାସ କରାଯାଏ। ଫେସବୁକ ପକ୍ଷରୁ ୧୬ ଗୋଟି ଭାରତୀୟ ଭାଷାରେ ଅନୁବାଦର ସୁବିଧା ଯୋଗାଇ ଦିଆଯାଇଥିବା ସ୍ଥଳେ ଟୁଇଟରରେ ୧୦ ଗୋଟି ଭାରତୀୟ ଭାଷା ବ୍ୟବହାର ସମ୍ଭବପର ।


 

ଅନ୍ୟତମ ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚ ଗୁଗୁଲ ପକ୍ଷରୁ ମଧ୍ୟ ଭାରତୀୟ ସାଧାରଣ ନିର୍ବାଚ଼ନ ୨୦୧୯ ଅବସରରେ ରାଜନୀତିକ ବିଜ୍ଞାପନ ପ୍ରକାଶନ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ୱନ ନିମନ୍ତେ ଉତ୍ସ ସଂପର୍କରେ ଘୋଷଣା ତଥା ଏଡ଼ଭାଟାଇଜମେଣ୍ଟ ଲାଇବ୍ରେରୀ ପ୍ରସ୍ତୁତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା ।


 

ଭାରତରେ ସୋସିଆଲ ମିଡ଼ିଆ ଉପଭୋକ୍ତାଙ୍କ ସଂଖ୍ୟାବୃଦ୍ଧି ଏବଂ ଏଭଳି ଗଣମାଧ୍ୟମର ମାଦକତା ହେତୁ ଉପଭୋକ୍ତାଙ୍କୁ ଦୀର୍ଘ ସମୟ ବ୍ୟବହାରଲାଗି ଆକର୍ଷଣ ରାଜନୀତିକ ପ୍ରଚ଼ାର ଲାଗି ଉର୍ବର ଭିତ୍ତିଭୂମି ପ୍ରସ୍ତୁତ କରିପାରିଛି । ତେବେ ଏହାର ଅପବ୍ୟବହାରକୁ ରୋକିବା ନିମନ୍ତେ ବଡ଼ ଛୋଟ ସମସ୍ତ ରାଷ୍ଟ୍ର ବିଭିନ୍ନ ସ୍ତରରେ ବିଫଳ ହେବାପରେ ସ୍ଥଳ ବିଶେଷରେ ଇଣ୍ଟରନେଟ ସଂଯୁକ୍ତିନିଷେଧ ବା ‘ସଟ ଡ଼ାଉନ’ କରିବା ବ୍ୟତୀତ ବିଶେଷ ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇପାରୁ ନାହିଁ  । ଏହି ଅବସରରେ ପ୍ରଶାସନିକ ତାଗିଦ ଫଳରେ ଗଣମାଧ୍ୟମ ମଞ୍ଚ ଆୟୋଜକମାନଙ୍କ ପକ୍ଷରୁ ବୈଷୟିକ କାରିଗରୀକୌଶଳ ପ୍ରୟୋଗରେ ନକାରତ୍ମକ ପ୍ରସାରଣ ଚ଼ିହ୍ନଟ ଓ ପ୍ରତିଷେଧ ବ୍ୟବସ୍ଥା ସମାଧାନରେ ନୂତନ ଦିଗନ୍ତ ଉନ୍ମୋଚ଼ନ କରିଛି । ସୋସିଆଲ ମିଡ଼ିଆ ବ୍ୟବହାର ସଂପର୍କରେ ଉପଭୋକ୍ତାଙ୍କ ମଧ୍ୟରେ ସଚ଼େତନତା ପ୍ରସାରରେ ଅଧିକ ଗୁରତ୍ୱ ଦିଆଗଲେ ସୁଫଳ ଆଶା କରାଯାଇପାରେ ।                


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଫେବୃୟାରୀ ୨୦୧୯


ତଥ୍ୟ:

 

Jain, Bharati. Social media giants to block fake news ahead of LS Polls. The Times of India (Bhubaneswar Edition). September 6, 2018.


 

Mohan, Archis. We’re battle – ready for LS elections: Facebook. Business Standard (Bhubaneswar Edition). January 11, 2019.


 

Choudhary, Karan &Archis Mohan. It’s hastag rural as Twitter prepares for 2019 elections. Business Standard (Bhubaneswar Edition). December 12, 2018.


 

Abrar, Peerzada. Google promises a new search for political ads. Business Standard (Bhubaneswar Edition). January 23, 2019.

ନିର୍ବାଚ଼ନ ପ୍ରଚ଼ାର ଅଭିଯାନ ପ୍ରସ୍ତୁତିରେ ସୋସିଆଲ ମିଡ଼ିଆ

ଭାରତୀୟ ସାଧାରଣ ନିର୍ବାଚ଼ନ ୨୦୧୯ ପ୍ରଚ଼ାର ଅଭିଯାନରେ ସୋସିଆଲ ମିଡ଼ିଆର ବ୍ୟବହାର ନିମନ୍ତେ ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗଣମାଧ୍ୟମ ପରିଧିରେ ଆଲୋଡ଼ନ ସୃଷ୍ଟି କରିଥିଲା । ଜାନୁୟାରୀ ୨୦୧୯ ଦ୍ୱିତୀୟାର୍ଦ୍ଧରେ ଅନ୍ତଃରାଷ୍ଟ୍ରୀୟ ‘ଟାଇମ’ ଓ ନୂଆଦିଲ୍ଲୀରୁ ପ୍ରକାଶିତ ‘ଓପନ’ ପତ୍ରିକାରେ ଉପସ୍ଥାପିତ ବିବରଣୀ ସହ ଫେବୃୟାରୀ ଶେଷ ସପ୍ତାହରେ ‘ପେଙ୍ଗୁଇନ’ଦ୍ୱାରା ପ୍ରକାଶୋନ୍ମୁଖୀ ଶିବମ ଶଙ୍କର ସିଂହଙ୍କ ‘ହାଉ ଟୁ ଉଇନ ଏନ ଇଣ୍ଡିଆନ ଇଲେକସନ’ର ବିଷୟବସ୍ତୁ ସଂପର୍କରେ ଆଲୋଚ଼ନା ମୁଖ୍ୟତଃ ଭାରତୀୟ ଜନତା ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ନିର୍ବାଚ଼ନ ପ୍ରଚ଼ାରରେ ସୋସିଆଲ ମିଡ଼ିଆ ଉପଯୋଗ ଆୟୋଜନ ସଂପର୍କରେ ତଥ୍ୟାବଳୀ ଉନ୍ମୋଚ଼ିତ ହୋଇଥିଲା । କୁହାଯାଇଥିଲା ଯେ ୨୦୧୯ ସାଧାରଣ ନିର୍ବାଚ଼ନରେ ପାରମ୍ପରିକ ଗଣମାଧ୍ୟମ ତୁଳନାରେ ମେସେଞ୍ଜର ଆପ୍ଲିକେସନ୍ ‘ହ୍ୱାଟସଆପ’ର ବ୍ୟବହାର ବୃଦ୍ଧି ପାଇବ ।


 

ଦେଶର ମୋଟ ଜନସଂଖ୍ୟା ୧୩୦ କୋଟି ମଧ୍ୟରୁ ୯୦ କୋଟି ନାଗରିକ ୫୪୩ ଗୋଟି ଲୋକସଭା ନିର୍ବାଚ଼ନ ମଣ୍ଡଳୀର ପ୍ରାୟ ୯ ଲକ୍ଷ ୩୦ ହଜାର ଭୋଟକେନ୍ଦ୍ରରେ ମତ ସାବ୍ୟସ୍ତ ବ୍ୟବସ୍ଥା ହୋଇଥିଲା । ଭୌଗଳିକ ବିସ୍ତୃତି ଓ ଭାଷାଗତ ତଥା ସାଂସ୍କୃତିକ ବିବିଧତା ହେତୁ ସମଗ୍ର ଅଞ୍ଚଳରେ ପାରମ୍ପରିକ ଗଣମାଧ୍ୟମ ଉପଯୋଗରେ ଅତୀତରେ ପ୍ରତ୍ୟକ୍ଷ ନିର୍ବାଚ଼ନ ପ୍ରଚ଼ାର କଷ୍ଟସାଧ୍ୟ ଅନୁଭୂତ ହେଉଥିଲା ଏବଂ ସ୍ଥଳବିଶେଷରେ ଭୋଟରଙ୍କ ନିକଟରେ ପ୍ରାର୍ଥୀମାନେ ବ୍ୟକ୍ତିଗତଭାବେ ପହଞ୍ଚିବା ସଂଭବପର ହୋଇପାରୁ ନଥିଲା । ତେବେ ୫୩ କୋଟି ଜନସଂଖ୍ୟା ନିକଟରେ ସ୍ମାର୍ଟଫୋନ ଉପଲବ୍ଧ ଥିବା ତଥା ସେଥିମଧ୍ୟରୁ ୯୬ ପ୍ରତିଶତ ଉପଭୋକ୍ତା ‘ହ୍ୱାଟସଆପ’ ବ୍ୟବହାର କରୁଥିବା ପରିପ୍ରେକ୍ଷୀରେ ପ୍ରାର୍ଥୀ ପାଠ୍ୟ, ଅଡ଼ିଓ ଓ ଭିଡ଼ିଓ ମାଧ୍ୟମରେ ମତଦାତାଙ୍କ ସହ ମୋବାଇଲ ପର୍ଦ୍ଦାରେ ଯୋଗାଯୋଗ ସ୍ଥାପନ କରିବା ଅବକାଶ ସୃଷ୍ଟି ହୋଇପାରିଥିଲା ।


 

ଜାତୀୟସ୍ତରରେ ଏକ ମୁଖ୍ୟ ରାଜନୀତିକ ଦଳ ପକ୍ଷରୁ ପ୍ରତ୍ୟେକ ଲୋକସଭା ନିର୍ବାଚ଼ନ ବୁଥସ୍ତରରେ ତିନିଗୋଟି ଲେଖା ‘ହ୍ୱାଟସଆପ’ ଗୃପ ଗଠନ କରାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରତ୍ୟେକ ଗୃପରେ ୨୫୬ ଜଣ ସଦସ୍ୟଙ୍କ ଫୋନ ନମ୍ୱର ପଞ୍ଜୀକରଣ କରାଯିବା ସୁବିଧା ଥିବା ବେଳେ ଗାଣିତିକ ଆକଳନରେ ୭୦ କୋଟି ମତଦାତାଙ୍କ ନିକଟରେ ପହଞ୍ଚିବା ସମ୍ଭବପର ହୋଇଥିଲା । ନେତୃବର୍ଗଙ୍କ ‘ହ୍ୱାଟସଆପ’ ମେସେଜ ଫରୱାର୍ଡ଼ କରିବା ନିମନ୍ତେ ଦଳ ପକ୍ଷରୁ ବୁଥସ୍ତରୀୟ ସ୍ୱେଚ୍ଛାସେବୀଙ୍କୁ ତାଲିମପ୍ରଦାନକରାଯାଇଥିବା ତଥା ପ୍ରତ୍ୟେକ ବୁଥରେ ସୋସିଆଲ ମିଡ଼ିଆ ପରିଚ଼ାଳନା କରିବା ନିମନ୍ତେ ଜଣେ ସ୍ଵେଚ୍ଛାସେବୀଙ୍କୁସ୍ୱତନ୍ତ୍ରରୂପେ ପ୍ରଶିକ୍ଷିତ କରାଯାଇଥିଲା । ସଂପୃକ୍ତ ରାଜନୀତିକ ଦଳ ତୃଣମୂଳସ୍ତରରେ ୧୨ କୋଟି ସ୍ଵେଚ୍ଛାସେବୀଚିହ୍ନଟ କରିଥିବା ଦାବୀ କରିଥିଲା ।


 

ପୂର୍ବନିର୍ବାଚନଗୁଡିକ ତୁଳନାରେ ୨୦୧୯ ଲୋକସଭା ନିର୍ବାଚନ ବେଳକୁ ଇଣ୍ଟରନେଟର ବ୍ୟାପ୍ତି ଓ ଜନସାଧାରଣଙ୍କ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାର ଦୁଇଗୁଣ ବୃଦ୍ଧି ପାଇଥିଲା । ଦେଶରେ ୨୦୧୪ ନିର୍ବାଚନ ବେଳେ ମାତ୍ର ୨୧ ପ୍ରତିଶତ ମତଦାତା ସ୍ମାର୍ଟଫୋନ ବ୍ୟବହାର କରୁଥିବା ସ୍ଥଳେ ୨୦୧୯ ବେଳକୁ ତାହା ୪୦ ପ୍ରତିଶତରୁ ଅଧିକ ଗଣନା କରାଯାଇଥିଲା । ମୁଣ୍ଡପିଚ୍ଛା ଡ଼ାଟା ବ୍ୟବହାରରେ ଭାରତ ବିଶ୍ଵରେପ୍ରମୁଖ ସ୍ଥାନ ଅଧିକାର କରେ । ୨୦୧୭ରେ ଉତ୍ତରପ୍ରଦେଶ ଓ ୨୦୧୮ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅବସରରେ ‘ହ୍ୱାଟସଆପ’ର ବ୍ୟବହାର ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଫଳିତ ହୋଇଥିଲା ।


 

‘ହ୍ୱାଟସଅପ’ ବ୍ୟବହାରରେ ଲୋକପ୍ରିୟତା ବୃଦ୍ଧି ସଙ୍ଗେ ଏହାର ଦୁରୋପଯୋଗ ମଧ୍ୟ ସମସ୍ୟା ସୃଷ୍ଟି କରିଥିଲା । ୨୦୧୮ ପ୍ରଥମାର୍ଦ୍ଧରେ ଏହି ମେସେଞ୍ଜର ଆପ୍ଲିକେସନ ଯୋଗେ ଗୁଜବ ପ୍ରଚାର ହେତୁ ୩୦ ଜଣଙ୍କୁ ଗୋଷ୍ଠୀବଦ୍ଧ ଆକ୍ରମଣରେ ହତ୍ୟା କରାଯିବା ଅବସରରେ ‘ହ୍ୱାଟସଅପ’ ପକ୍ଷରୁ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗୁଜବ ମୁଖ୍ୟତଃ ଫରୱାର୍ଡ଼ ଅପସନ ବ୍ୟବହାରରେ ବ୍ୟାପୁଥିବା ଯୋଗୁଁ ପୂର୍ବରୁ ପ୍ରଚଳିତ ଗୋଟିଏ ଫୋନରୁ ଏକା ଥରକେ ୧୦୦ ଜଣ ବା ଗୃପକୁ ଫରୱାର୍ଡ଼ ସୀମା ୨୦୧୮ ଜୁଲାଇ ମାସରେ ଭାରତରେ ପାଞ୍ଚକୁ କମାଇ ଦିଆଯାଇଥିଲା । ଅବଶ୍ୟ ୨୦୧୯ ଜାନୁୟାରୀ ମାସରେ ବିଶ୍ଵବ୍ୟାପୀଫରୱାର୍ଡ଼କୁ ପାଞ୍ଚରେ ସୀମିତ ରଖାଯାଇଛି ।


 

‘ହ୍ୱାଟସଅପ’ର ଫରୱାର୍ଡ଼ ଅପସନ ସୁବିଧା କମିଯିବା ଫଳରେ ଭାରତରେ ରାଜନୀତିକ ପ୍ରଚାର ଅଭିଯାନରେ ଏହାର ବ୍ୟବହାର ଶୀଥିଳ ହୋଇନଥିଲା। କାରଣ ଅତୀତରେ ଯେଉଁ ମେସେଜ ଶହେ ଜଣ ବା ଗୃପ ମଧ୍ୟରେ ଥରକେ ଫରୱାର୍ଡ଼ କରାଯାଉଥିଲା ତାହା ବର୍ତ୍ତମାନ କୋଡିଏ ଥରରେ ସମାପନ ସଂଭବପର ହେଲା । ଏହି କାର୍ଯ୍ୟ ନିମନ୍ତେ ରାଜନୀତିକ ଦଳଗୁଡ଼ିକପକ୍ଷରୁ ସ୍ଵେଚ୍ଛାସେବୀକିମ୍ବା ଆବଶ୍ୟକସ୍ଥଳେ ପାରିଶ୍ରମିକଭିତ୍ତିରେ କର୍ମୀ ନିଯୁକ୍ତ ହୋଇଥିଲା । ଭାରତରେ ନିଯୁକ୍ତ ଆଶାୟୀ ବିପୁଳ ଶ୍ରମଶକ୍ତି ଉପଲବ୍ଧ ଥିବାସ୍ଥଳେ ଏଭଳି କାମ ପାଇଁ ଲୋକଙ୍କୁ ପାଇବା ଆଦୌ କଷ୍ଟକର ହୋଇନଥିଲା ।


 

ନିର୍ବାଚନପ୍ରଚାର ଅଭିଯାନରେ ଅସତ୍ୟ ଓ ଅତିରଞ୍ଜିତ ସମ୍ପାଦ ପ୍ରସାରଣ ଏକ ପ୍ରମୁଖ ସମସ୍ୟା । ‘ହ୍ୱାଟସଅପ’ ଭଳି ମେସେଞ୍ଜର ଆପ୍ଲିକେସନରେ ଏନକ୍ରିପ୍ଟସନ ପଦ୍ଧତି ଅବଲମ୍ବନ କରାଯାଉଥିବା ହେତୁ ପ୍ରେରିତ ପାଠ୍ୟ, ଅଡ଼ିଓ ଓ ଭିଡ଼ିଓ ପ୍ରେରକ ଓ ଗ୍ରହୀତାଙ୍କ ବ୍ୟତୀତ ତୃତୀୟପକ୍ଷ ତନଖିବାର ଉପାୟ ନଥାଏ । ଏଭଳି ପରିବେଶ ଗୁଜବ ପ୍ରସାରଣ ନିମନ୍ତେ ଉର୍ବର ଉପତ୍ୟକା ସୃଷ୍ଟି କରେ । ଆଧୁନିକ କାରିଗରୀ କୌଶଳ ଅବଲମ୍ବନରେ ଅସତ୍ୟ ଅଡ଼ିଓ ଓ ଭିଡ଼ିଓ ସହଜରେ ପ୍ରସ୍ତୁତ କରାଯାଇ ନିର୍ବାଚନପ୍ରଚାରରେ ବ୍ୟବହୃତ ହେଉଥିବା ହେତୁ ସର୍ବସାଧାରଣରେ ପ୍ରସାରିତ ମେସେଜଗୁଡ଼ିକର ସତ୍ୟତା ପରଖିବା ନିମନ୍ତେ ବିଦେଶରେ ଫ୍ୟାକ୍ଟଚେକ ସଂସ୍ଥାମାନ ମୁଣ୍ଡ ଟେକିଥିଲା । ଭାରତରେ ମଧ୍ୟ ‘ଆଲଟ ନିଉଜ’, ‘ଏକତା ନିଉଜରୁମ’ ଭଳି ହାତଗଣତି ଉଦ୍ୟମ ଆରମ୍ଭ ହୋଇଥିଲା । ତେବେ ଜାତୀୟସ୍ତରରେ ବହୁଳ ପ୍ରସାରିତ ସ୍ଵଳ୍ପ ସଂଖ୍ୟକ ମେସେଜର ସମୀକ୍ଷା କରାଯାଉଥିବା ସ୍ଥଳେ ଆଞ୍ଚଳିକସ୍ତରରେ ପ୍ରସାରିତ ମେସେଜଗୁଡ଼ିକର ସମୀକ୍ଷା ସଂଭବପର ହୋଇପାରୁ ନାହିଁ ।


 

ଜାତୀୟସ୍ତରରେ ଅନ୍ୟତମ ପ୍ରମୁଖ ରାଜନୀତିକ ଦଳ ପକ୍ଷରୁ ମଧ୍ୟ ‘ହ୍ୱାଟସଅପ’ ମାଧ୍ୟମରେ ନିର୍ବାଚନ ପ୍ରଚାର ଅଭିଯାନ ନିମନ୍ତେ ଅନୁରୂପ ପ୍ରସ୍ତୁତି ହୋଇଥିଲା । ବୁଥସ୍ତରରେ ସୋସିଆଲ ମିଡ଼ିଆ ପରିଚାଳନା ନିମନ୍ତେ ନଅ ଲକ୍ଷ ସ୍ଵେଚ୍ଛାସେବୀଙ୍କୁଚିହ୍ନଟ କରାଯାଇଥିଲା । ବିଧାନସଭାସ୍ତରୀୟ କର୍ମୀଙ୍କୁ ସୋସିଆଲ ମିଡ଼ିଆ ରଣନୀତି ସଂପର୍କରେ ତାଲିମ ପ୍ରଦାନ ପରେ ସେମାନେ ବୁଥସ୍ତରର କର୍ମୀଙ୍କୁ ପ୍ରଶିକ୍ଷିତ କରାଉଥିବା କୁହାଯାଉଥିଲା । ତେବେ ଦେଶବ୍ୟାପୀ କର୍ମୀଙ୍କୁ ତାଲିମ ତଥା ‘ହ୍ୱାଟସଅପ’ ଗୃପ ଗଠନ, ପାଠ୍ୟ-ଅଡ଼ିଓ-ଭିଡ଼ିଓ ପ୍ରଯୋଜନା ଓ ନିୟମିତ ଫରୱାର୍ଡ଼ଲାଗି ବହୁଳ ପରିମାଣରେ ଖର୍ଚ୍ଚ ହେଉଥିବା ହେତୁ ଦୁଇ ରାଜନୀତିକ ଦଳର ସୋସିଆଲ ମିଡ଼ିଆ କାର୍ଯ୍ୟକ୍ରମ ସଂଚାଳନରେ ତଫାତ ଦେଖିବାକୁ ମିଳିଥିଲା ।


 

ଗଣମାଧ୍ୟମ ସମୀକ୍ଷକମାନେ ‘ହ୍ୱାଟସଅପ’ ମାଧ୍ୟମରେ ନିର୍ବାଚନପ୍ରଚାରକୁ ପ୍ରଭାବଶାଳୀ ଅଭିହିତ କରୁଛନ୍ତି । ଏକ ପକ୍ଷରେ ଅପେକ୍ଷାକୃତ କମ ଖର୍ଚ୍ଚରେ, କମ ସମୟ ମଧ୍ୟରେ, ବିସ୍ତୃତ ଜନସଂଖ୍ୟାକୁ ବ୍ୟକ୍ତିଗତସ୍ତରରେ ସମ୍ବୋଧିତ କରିବା ସଙ୍ଗେ ସେମାନଙ୍କ ପ୍ରତିକ୍ରିୟା ସଂଗ୍ରହ ନିମନ୍ତେ ପରସ୍ପର ମଧ୍ୟରେ ପାଠ୍ୟ, ଅଡ଼ିଓ ଓ ଭିଡ଼ିଓ ବିନିମୟ ‘ହ୍ୱାଟସଅପ’ ଯୋଗେ ସଂଭବପର । ଅପରପକ୍ଷରେ ଏଭଳି ଯୋଗାଯୋଗ ବ୍ୟକ୍ତିଗତସ୍ତରରେ ସଂଘଟିତ ହେଉଥିବା ତଥା ଭିଡ଼ିଓ ଭଳି ମାଧ୍ୟମ ଅପରକୁ ସହଜରେ ପ୍ରଭାବିତ କରିବାରେ ସମର୍ଥ ହେଉଥିବା ହେତୁ କେତେକ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚ଼ୟନଲାଗି ଭୋଟଦାନ ପ୍ରକ୍ରିୟାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ ବୋଲି କୁହାଯାଉଛି ।                 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଫେବୃୟାରୀ ୨୦୧୯


ତଥ୍ୟ:


 

NP, Ullekh . How WhatsApp Is Changing Indian Politics.Open. January 18,2019.



<http://www.openthemagazine.com/article/cover-story/how-whatsapp-is-changing-indian-politics?fbclid=IwAR3pXCUjFzTDBaNZONrMY4ZmDqr8B-WzKfINEgNMHE3mgKuWGA_EBpuW8dk>



Perrigo, Billy.How Volunteers for India's Ruling Party Are Using WhatsApp to Fuel Fake News Ahead of Elections. Time. January 25, 2019.


<http://time.com/5512032/whatsapp-india-election-2019/?utm_source=Daily+Lab+email+list&utm_campaign=8ca1af7b19-dailylabemail3&utm_medium=email&utm_term=0_d68264fd5e-8ca1af7b19-381576561>

 

 

Mahapatra, Sangeeta. India online: How social media will impact the 2019 Indian General Election. 



<http://blogs.lse.ac.uk/southasia/2019/01/11/long-read-india-online-how-social-media-will-impact-the-2019-indian-general-election/?fbclid=IwAR0DijZW8zi8NxhZR-gY2EWvdGLJn0r8ML1UXBDs1P-FWd7jBTq0BULlfg8>

ସୋସିଆଲ ମିଡିଆରେ ପ୍ରାକ୍- ନିର୍ବାଚ଼ନୀ ଦୃଶ୍ୟପଟ

ସପ୍ତଦଶ ଲୋକସଭା ନିର୍ବାଚ଼ନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚ଼ନ ଆୟୋଜନ ଅବସରରେ ରାଜନୀତିକ ଦଳଗୁଡ଼ିକପକ୍ଷରୁ ସୋସିଆଲ ମିଡ଼ିଆରେ ନିର୍ବାଚ଼ନୀ ପ୍ରଚ଼ାର ଗୁରୁତ୍ୱବହନ କରିବା ପୂର୍ବାନୁମାନ ପ୍ରଥମ ପର୍ଯ୍ୟାୟ ନିର୍ବାଚ଼ନ ସୁଦ୍ଧା ଅନୁଧ୍ୟାନରୁ ସତ୍ୟ ପ୍ରମାଣିତ ହୋଇଛି । ପୂର୍ବବର୍ତ୍ତୀ ନିର୍ବାଚ଼ନଗୁଡ଼ିକ ତୁଳନାରେ ଏଥରକ ବାହ୍ୟ ପ୍ରଚ଼ାର ମାନ୍ଦା ଅନୁଭବ କରାଯାଇଛି । ୨୦୧୯ର ନିର୍ବାଚ଼ନ ପ୍ରଚ଼ାର ମୁଖ୍ୟତଃ ଟେଲିଭିଜନ ଓ ମୋବାଇଲ ଫୋନ ପରଦାକୁ ସ୍ଥାନାନ୍ତରିତ ହୋଇଥିବା ଅନୁମାନ କରାଯାଏ ।


 

‘ରଏଟର ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ଦ୍ୱାରା ୨୦୧୯ ଜାନୁୟାରୀ ମାସରେ ଆୟୋଜିତ ସର୍ବେକ୍ଷଣ ତଥା ମାର୍ଚ୍ଚରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆମ ଦେଶରେ ୮୩ କୋଟି ୬୦ ଲକ୍ଷ ଦର୍ଶକ ପ୍ରତ୍ୟେହ ହାରାହାରି ତିନିଘଣ୍ଟା ପଇଁଚ଼ାଳିଶି ମିନଟ ଟେଲିଭିଜନ ଦେଖନ୍ତି ଓ ୩୮ କୋଟି ୫୦ ଲକ୍ଷ ପାଠକ ସମ୍ୱାଦପତ୍ର ପଢ଼ନ୍ତି । ଏମାନଙ୍କ ମଧ୍ୟରେ ପ୍ରାୟ ୪୦ କୋଟି ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସହ ୪୮ କୋଟି ଇଣ୍ଟରନେଟ ଉପଭୋକ୍ତା ଅନ୍ତର୍ଭୁକ୍ତ । ଗବେଷଣା ସଂସ୍ଥା ‘କମସ୍କୋର’ ଆକଳନ ଅନୁଯାୟୀ ୨୭ କୋଟି ୯୦ ଲକ୍ଷ ଉପଭୋକ୍ତା ଅନଲାଇନରେ ପ୍ରଥମେ ସମ୍ୱାଦ ଆହରଣ କରିଥାନ୍ତି । ସେମାନେ ୨୦୧୮ରେ ଦୈନିକ ପ୍ରାୟ ୫୦ ମିନଟ ଷ୍ଟ୍ରୀମିଂ ଭିଡ଼ିଓ ଦେଖୁଥିବା ହିସାବ କରାଯାଇଥିଲା ।


 

ଭାରତୀୟ ଗଣମାଧ୍ୟମ ଉପତ୍ୟକାରେ ପରିବର୍ତ୍ତିତ ପରିବେଶ ନିର୍ବାଚ଼ନୀ ପ୍ରଚ଼ାରକୁ ପ୍ରଭାବିତ କରିବା ସ୍ୱାଭାବିକ ।ନିର୍ବାଚ଼ନ-ପୂର୍ବପ୍ରଚ଼ାର ଅଭିଯାନରେ ଭୋଟରମାନେ ରାଜନୀତିକ ନେତୃବର୍ଗଙ୍କ ବକ୍ତବ୍ୟ ଟେଲିଭିଜନ ଓ ମୋବାଇଲ ପରଦାରେ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଟେଲିଭିଜନ ପ୍ରସାରଣ ସାର୍ବଜନୀନ ହୋଇଥିବା ସ୍ଥଳେ ସ୍ମାର୍ଟ ଫୋନରେ ବ୍ୟକ୍ତିଗତ ରୁଚ଼ିମତେ ନିର୍ଦ୍ଧଷ୍ଟ ରାଜନେତାଙ୍କ ଉଦବୋଧନ ଅକ୍ତିଆର କରିବା ସୁଯୋଗ ସୃଷ୍ଟି ହୋଇଥାଏ । ତେଣୁ ସ୍ମାର୍ଟଫୋନ ଉପଭୋକ୍ତାଙ୍କ କ୍ଷେତ୍ରରେ ‘ଫିଲଟର ବବୁଲ’ ଓ ‘ଇକୋ ଚେମ୍ୱର’ ପରିସ୍ଥିତି ସୃଷ୍ଟି କରିଥାଏ । ‘ଫିଲଟର ବବୁଲ’ର ଅର୍ଥ ଦର୍ଶକ ଅନ୍ୟ ସମସ୍ତ ବିଷୟକୁ ବାଦ ଦେଇ ନିଜ ପସନ୍ଦର ନେତାଙ୍କୁ ଶୁଣିଥାଏ ଏବଂ ‘ଇକୋ ଚ଼େମ୍ୱର’ର ଅର୍ଥ ଏଭଳି ବକ୍ତବ୍ୟ ବାରମ୍ୱାର ଶୁଣିବା ଦ୍ୱାରା ସଂପୃକ୍ତ ନେତୃତ୍ୱପ୍ରତି ଦୃଢ଼ଭାବେ ପ୍ରଭାବିତ ହୋଇପଡ଼େ ।


 

ନିର୍ବାଚ଼ନୀ ପ୍ରଚ଼ାରରେ ଜାତୀୟସ୍ତରର ରାଜନୀତିକ ଦଳଗୁଡ଼ିକ ସମେତ ରାଜ୍ୟସ୍ତରୀୟ ଦଳଗୁଡ଼ିକ ମଧ୍ୟ ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବା ୨୦୧୯ ଫେବୃୟାରୀ - ମାର୍ଚ୍ଚ ପ୍ରାକ୍-ନିର୍ବାଚ଼ନୀ ବିଜ୍ଞାପନ ବ୍ୟୟରୁ ପ୍ରମାଣିତ ହୋଇଥାଏ । ଫେସବୁକର ଏଡ଼ଭାଟାଇଜମେଣ୍ଟ ଲାଇବ୍ରେରୀରୁ ସଂଗୃହୀତ ତଥ୍ୟ ଅନୁଯାୟୀ ସଂପୃକ୍ତ ସମୟସୀମାରେ ଭାରତୀୟ ଜନତା ପାର୍ଟି ଏବଂ ତାହାର ସହଯୋଗୀମାନଙ୍କ ପକ୍ଷରୁ ଫେସବୁକ ମଞ୍ଚରେ ବିଜ୍ଞାପନ ବାବଦରେ ମୋଟ ପାଞ୍ଚ କୋଟି ଟଙ୍କା ବ୍ୟୟ କରାଯାଇଥିବା ସ୍ଥଳେ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ପକ୍ଷରୁ ଛଅ କୋଟି ୫୦ ଲକ୍ଷ ଏବଂ ଓଡ଼ିଶାର ବିଜୁ ଜନତା ଦଳ ପକ୍ଷରୁ ଚ଼ାରି କୋଟି ପନ୍ଦର ଲକ୍ଷ ଟଙ୍କା ବିଜ୍ଞାପନ ବାବଦରେ ବ୍ୟୟ କରାଯାଇଥିଲା । ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ମାତ୍ର ୧୬ ଲକ୍ଷ ଟଙ୍କାର ବିଜ୍ଞାପନ ବିତରିତ ହୋଇଥିଲା । ଏଭଳି ଉଦାହରଣରୁ ସୋସିଆଲ ମିଡ଼ିଆରେ ବିଜେପି ସହ ତେଲଙ୍ଗନା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଆଞ୍ଚଳିକ ଦଳଗୁଡ଼ିକ ଟକ୍କର ଦେଉଥିବା ଅନୁମାନ କରାଯାଇପାରେ । ଏପ୍ରିଲ-ମେ ମାସରେ ସାତ ପର୍ଯ୍ୟାୟ ଭୋଟଗ୍ରହଣ ନିମନ୍ତେ ନିର୍ବାଚ଼ନୀ ପ୍ରଚାରରେ ଏହି ଖର୍ଚ୍ଚ ସୀମା ବଢ଼ିବା ସ୍ୱାଭାବିକ ।


 

ଆନ୍ତର୍ଜାତିକସ୍ତରରେ ବିଭିନ୍ନ ରାଷ୍ଟ୍ରରେ ଗଣତାନ୍ତ୍ରିକ ନିର୍ବାଚ଼ନ ଅବସରରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ପ୍ରଚାର ନିମନ୍ତେ ସୋସିଆଲ ମିଡ଼ିଆ ବ୍ୟବହୃତ ହେବା ପରେ ବିଭିନ୍ନ ଦିଗରୁ ଏହାର ଦୁରୋପଯୋଗ ଦେଖିବାକୁ ମିଳିଥିଲା । ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚ଼ନ ଓ ପରବର୍ତ୍ତୀ ଅବସ୍ଥାରେ ଫ୍ରାନ୍ସ, ସଂଯୁକ୍ତ ରାଷ୍ଟ୍ରପୁଞ୍ଜ, କେନିଆ ଓ ବ୍ରାଜିଲର ନିର୍ବାଚ଼ନଗୁଡ଼ିକରେ ବିଭ୍ରାଟ ଫଳରେ ସୋସିଆଲ ମିଡ଼ିଆ ମଞ୍ଚ ପରିଚ଼ାଳକମାନେ କାରିଗରୀ କୌଶଳ ଉପଯୋଗରେ ଗୁଜବ, ଗାଳିଗୁଲଜ ଓ ବେନାମୀ ପ୍ରସାରଣକୁ ଆକଟ କରିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଥିଲେ ।


 

ବିଶ୍ୱବ୍ୟାପୀ ଅଭିଜ୍ଞତାକୁ ଆଧାର କରି ଭାରତ ସରକାର ଓ ନିର୍ବାଚ଼ନ ଆୟୋଗଙ୍କ ପକ୍ଷରୁ ସାଧାରଣ ନିର୍ବାଚ଼ନର ପ୍ରାୟ ବର୍ଷେକ ପୂର୍ବରୁ ସୋସିଆଲ ମିଡ଼ିଆ ମଞ୍ଚ ପରିଚ଼ାଳକମାନଙ୍କୁ କ୍ରମାଗତଭାବେ ତାଗିଦ କରାଯାଇଥିଲା । ଫଳରେ ନିର୍ବାଚ଼ନୀ ପ୍ରଚ଼ାରକୁ ଶୃଙ୍ଖଳିତ କରିବା ନିମନ୍ତେ ଭାରତର ସାଧାରଣ ନିର୍ବାଚ଼ନ ପରିପ୍ରେକ୍ଷୀରେ ପ୍ରଥମଥର ପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି । ସୋସିଆଲ ମିଡ଼ିଆରେ ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ବିଜ୍ଞାପନ ପ୍ରକାଶନ ସୂତ୍ର ତଥା ଖର୍ଚ୍ଚ ସଂପର୍କୀତ ତଥ୍ୟରେ ସ୍ୱଚ୍ଛତା ଅନ୍ତତଃପକ୍ଷେ ସଂଭବପର ହୋଇପାରିଛି । ପ୍ରତ୍ୟେକଟି ରାଜନୀତିକ ବିଜ୍ଞାପନ ସରକାରୀସ୍ତରରେ ଅନୁମୋଦନ ବିନା ସୋସିଆଲ ମିଡ଼ିଆରେ ସ୍ଥାନିତ ହୋଇପାରୁ ନାହିଁ । ତତ୍ସଙ୍ଗେ କିଏ କେତେ ଖର୍ଚ୍ଚ କରୁଛନ୍ତି ତତ୍କ୍ଷଣାତ ପ୍ରକାଶିତ ହୋଇପାରୁଛି ।


 

ଫେସବୁକ ପକ୍ଷରୁ ଏପ୍ରିଲ ପ୍ରଥମ ସପ୍ତାହରେ କୁହାଯାଇଛି ଯେ ଭାରତ ଓ ଭାରତବାହାରେ ସଂପୃକ୍ତ ମଞ୍ଚରେ ପ୍ରତିଦିନ ଦଶଲକ୍ଷ ସନ୍ଦିଗ୍ଧ ପୋଷ୍ଟକୁ ବାହାର କରିଦିଆଯାଉଛି । ଗୁଜବ, ଗାଳିଗୁଲଜ ତଥା ବେନାମୀ ପ୍ରକାଶନଗୁଡ଼ିକୁ ଖୋଜିବାହାର କରିବା ନିମନ୍ତେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଓ ମେସିନ ଲର୍ଣ୍ଣିଂ ଭଳି ବୈଷୟିକ କୌଶଳ ନିୟୋଜନ କରାଯାଉଛି । ଏତଦ୍ ବ୍ୟତୀତ ଉପଭୋକ୍ତାମାନଙ୍କ ମଧ୍ୟରେ ବିଭିନ୍ନ ସ୍ତରରେ ସଚ଼େତନତା ପ୍ରସାର ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଛି ।


 

ଏକ ଆକଳନ ଅନୁଯାୟୀ ୨୦୧୯ ସାଧାରଣ ନିର୍ବାଚ଼ନ ଅବସରରେ ସୋସିଆଲ ମିଡ଼ିଆର ଦୁରୋପଯୋଗ ରୋକିବା ନିମନ୍ତେ ଫେସବୁକ, ଟୁଇଟର, ସେରଚ଼ାଟ, ୟୁ-ଟ୍ୟୁବ ଓ ଟିକଟକ ଭଳି ମଞ୍ଚଗୁଡ଼ିକ ପକ୍ଷରୁ ପ୍ରାୟ ପନ୍ଦର ହଜାର ଅତିରିକ୍ତ ଚୁକ୍ତିଭିତ୍ତିକ କର୍ମଚ଼ାରୀ ନିଯୁକ୍ତି ପାଇଥିଲେ । କେବଳ ଫେସବୁକ ପକ୍ଷରୁ ୭,୫୦୦ ଫେକ୍ଟ-ଚ଼େକରଙ୍କୁ ନିୟୋଜିତ କରାଯାଇଥିଲା । ଭାରତରେ ୧୫ ଗୋଟି ଆଞ୍ଚଳିକଭାଷାରେ ସନ୍ଦିଗ୍ଧ ପୋଷ୍ଟଗୁଡ଼ିକର ସତ୍ୟତା ପରଖିବା ନିମନ୍ତେ ବ୍ୟବସ୍ଥା ହୋଇଥିଲା ।


 

ଆଲୋଚ଼୍ୟ ନିର୍ବାଚ଼ନୀ ପ୍ରଚ଼ାର ଅଭିଯାନରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଏକକ ନେତୃତ୍ୱ କେନ୍ଦ୍ରୀକ ବିଜ୍ଞାପନ ପ୍ରସାରଣରେ ପର୍ଯ୍ୟବସିତ।ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚ଼ନୀ ବିଜ୍ଞାପନ ମୋଦୀ କେନ୍ଦ୍ରୀକ ତଥା ଭାରତୀୟ ଜାତୀୟ କଂଗ୍ରେସର ନିର୍ବାଚ଼ନୀ ବିଜ୍ଞାପନ ରାହୁଳ ଗାନ୍ଧୀ କେନ୍ଦ୍ରୀକ ହୋଇଥିବା ସ୍ଥଳେ ଯୁବାଞ୍ଜନା ଶ୍ରମିକ ରଇତୁ କଂଗ୍ରେସ ପାର୍ଟି ପକ୍ଷରୁ ୱାଇ.ଏସ.ଜଗନମୋହନ ରେଡ଼ି ବା ବିଜୁ ଜନତା ଦଳ ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ଗୁରୁତ୍ୱ ଦିଆଯାଇଥିଲା । ପୂର୍ବବର୍ତ୍ତୀ ନିର୍ବାଚ଼ନଗୁଡ଼ିକରେ ନେତୃତ୍ୱକେନ୍ଦ୍ରୀକ ବିଜ୍ଞାପନର ଧାରା ରହି ଆସିଥିଲେ ହେଁ ୨୦୧୯ ନିର୍ବାଚ଼ନରେ ଦଳମତ ନିର୍ବିଶେଷରେ ତାହା ଦୃଢ଼ୀଭୂତ ହୋଇଛି । ଏଭଳି ପରିବର୍ତ୍ତନ ଲାଗି ସୋସିଆଲ ମିଡ଼ିଆରେ ନିର୍ବାଚ଼ନୀ ବିଜ୍ଞାପନ ପ୍ରସାରଣ କେତେମାତ୍ରାରେ ଦାୟୀ ତାହା ଗବେଷଣାସାପେକ୍ଷ । ସୋସିଆଲ ମିଡ଼ିଆର ଅଭ୍ୟୁଦୟ ପରେ ରାଜନୀତକ ନେତା ଓ ଭୋଟରଙ୍କ ମଧ୍ୟରେ ବ୍ୟକ୍ତିଗତସ୍ତରରେ ସଂପର୍କ ସ୍ଥାପନ ନିମନ୍ତେ ପ୍ରଶସ୍ତ ସୁବିଧାସୁଯୋଗ ସୃଷ୍ଟି ହୋଇପାରିଥିଲେ ହେଁ ତାହା ବହୁମୁଖୀ ଓ ଆଦାନପ୍ରଦାନର ମାଧ୍ୟମ ନ ହୋଇ ସମଗ୍ର ରାଷ୍ଟ୍ର ବା ରାଜ୍ୟରେ ଏକକ ନେତୃତ୍ୱ କେନ୍ଦ୍ରୀକ ହୋଇପଡୁଥିବା ଧାରାକୁ ଏକ ବିଡ଼ମ୍ୱନାଭାବେ ବିଚ଼ାର କରାଯାଇ ପାରେ ।                  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଏପ୍ରିଲ ୨୦୧୯


ତଥ୍ୟ:



Alawadhi, Neha & Sachin P. Mampatta. BJP, regional parties dominate advertising on social media. Business Standard (Bhubaneswar Edition). April 5, 2019.


 

Alawadhi, Neha. At FB, a year-long exercise to prevent poll-time misuse. Business Standard (Bhubaneswar Edition). April 9, 2019.


 

Choudhary, Karan & Neha Alawadhi. Election season helps create over 13,000 social media jobs. Business Standard  (Bhubaneswar Edition). March 16 / 17, 2019.

ନିର୍ବାଚ଼ନ ପ୍ରଚ଼ାରରେ ହ୍ୱାଟସଆପ ଗୃପ

ବିଶ୍ୱବ୍ୟାପୀ ଇଣ୍ଟରନେଟ ସଂଯୁକ୍ତି ସୁଦୃଢ଼ ହେବା ତଥା ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକର ଶେଷଭାଗରୁ ସ୍ମାର୍ଟଫୋନ ଯୋଗେ ମେସେଞ୍ଜର ଓ ସୋସିଆଲ ମିଡ଼ିଆ ଆପ୍ଲିକେସନଗୁଡ଼ିକର ବହୁଳ ବ୍ୟବହାର ବିଭିନ୍ନ ରାଷ୍ଟ୍ରର ଗଣତାନ୍ତ୍ରିକ ନିର୍ବାଚ଼ନ ପ୍ରଚ଼ାରକୁ ପ୍ରଭାବିତ କରିଛି ।

 

ଅଷ୍ଟଦଶ ଶତାଦ୍ଦୀରେ ୟୁରୋପରେ ଗଣତାନ୍ତ୍ରିକ ଶାସନ ପଦ୍ଧତି ପ୍ରଚଳନ ମୁଦ୍ରିତ ସମ୍ୱାଦପତ୍ରର ଉନ୍ମେଷ ସହ ଅଙ୍ଗାଙ୍ଗୀଭାବେ ଯୋଡ଼ି ହୋଇ ଆସିଥିଲା । ବିଂଶ ଶତାଦ୍ଦୀ ପ୍ରଥମାର୍ଦ୍ଧରେ ଗାନ୍ଧୀ, ଲେନିନ ଓ ମାଓ-ସେ-ତୁଙ୍ଗଙ୍କ ଭଳି ଜନନାୟକମାନେ ମୁଦ୍ରଣ ଗଣମାଧ୍ୟମ ଉପଯୋଗରେ ଯୁଗାନ୍ତକାରୀ ରାଜନୀତିକ ବିପ୍ଳବମାନ ରଚନା କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ରେଡ଼ିଓ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଟେଲିଭିଜନ ମୁଦ୍ରଣ ଗଣମାଧ୍ୟମ ସହ ସାମିଲ ହୋଇଥିଲା । ତେବେ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ସୋସିଆଲ ମିଡ଼ିଆର ବିକାଶ ବିଭିନ୍ନ ରାଷ୍ଟ୍ରରେ ଗଣତାନ୍ତ୍ରିକ ନିର୍ବାଚ଼ନ ଅବସରରେ ରାଜନୀତିକ ଚର୍ଚ୍ଚା ନିମନ୍ତେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଛି ।

 

ପ୍ରଥମତଃ ପାରମ୍ପରିକ ମୁଦ୍ରଣ, ରେଡ଼ିଓ ଓ ଟେଲିଭିଜନ ମଞ୍ଚରେ ଯୋଗାଯୋଗ ନିମ୍ନଗାମୀ ନୀତିରେ ପର୍ଯ୍ୟବସିତ । ଅର୍ଥାତ ଗୋଟିଏ ସୂତ୍ରରୁ ଅଗଣିତ ପାଠକ, ଶ୍ରୋତା ବା ଦର୍ଶକଙ୍କ ନିକଟକୁ ତଥ୍ୟ ପ୍ରସାରିତ ହୋଇଥାଏ। ରାଜନୀତିକ ନେତୃବର୍ଗ ଏଭଳି ମଞ୍ଚ ଉପଯୋଗରେ ଭୋଟରମାନଙ୍କ ନିକଟରେ ପହଞ୍ଚୁଥିଲେ ।କିନ୍ତୁ ସୋସିଆଲ ମିଡ଼ିଆ ମଞ୍ଚରେ ନେତୃବର୍ଗ ଭୋଟରମାନଙ୍କ ସହ ବାର୍ତ୍ତାଳାପକାଳରେ ଭୋଟରମାନେ ମଧ୍ୟ ନେତୃବର୍ଗଙ୍କ ସହ ଭାବବିନିମୟରେ ସାମିଲ ହୋଇପାରୁଛନ୍ତି । ଏଥିସହ ଭୋଟରମାନେ ନିଜସ୍ୱ ରାଜନୀତିକ ବିଚ଼ାର ସହଭାଗୀଙ୍କ ସମ୍ମୁଖରେ ଉପସ୍ଥାପିତ କରି ଚର୍ଚ୍ଚାର ଉପଦାନ ଗଢ଼ି ପାରୁଛନ୍ତି । ଫଳରେ ରାଜନୀତିକ ପ୍ରଚ଼ାରରେ ଏକଚ଼ାଟିଆ ଅଧିକାର ଖର୍ବ ହୋଇଛି ।

 

ଦ୍ୱିତୀୟତଃ ପାରମ୍ପରିକ ମଞ୍ଚଗୁଡ଼ିକ ବ୍ୟବହାର ବ୍ୟୟବହୁଳ ଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ପ୍ରାୟତଃ ମାଗଣା । କେତେକ ରାଷ୍ଟ୍ରରେ ଇଣ୍ଟରନେଟ ସେବା ଗ୍ରାହକଶ୍ରେଣୀଭୁକ୍ତ ନହୋଇ ମଧ୍ୟ ସୋସିଆଲ ମିଡ଼ିଆ ଆପ୍ଲିକେସନଗୁଡ଼ିକ ବ୍ୟବହାର ସୁବିଧା ଉପଲବ୍ଧ ।ନିର୍ବାଚ଼ନ ପ୍ରଚ଼ାର ନିମନ୍ତେ କେବଳ ପ୍ରାର୍ଥୀଙ୍କ ବଦଳରେ ସେମାନଙ୍କ ଦଳୀୟ କର୍ମୀ, ସମର୍ଥକ ଓ ବିରୋଧୀମାନେ ଭୋଟରମାନଙ୍କ ସହ ଯୋଗାଯୋଗ କ୍ଷେତ୍ରରେ ସମପରିମାଣରେ ସୁବିଧା ସୁଯୋଗ ଗ୍ରହଣ କରିବାକୁ ସକ୍ଷମ ହେଉଛନ୍ତି । ଏହାଦ୍ୱାରା ନିର୍ବାଚ଼ନ ପ୍ରଚ଼ାର ବ୍ୟାପକ ହୋଇପାରୁଛି ।

 

ତୃତୀୟତଃ ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକ ବୃତ୍ତିଧାରୀ ଅଭିଜ୍ଞ ସାମ୍ୱାଦିକମାନଙ୍କ ଦ୍ୱାରା ପରିଚ଼ାଳିତ ହେଉଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚ ବ୍ୟବହାର ସେଭଳି କିଛି ଯୋଗ୍ୟତା ଆବଶ୍ୟକ କରିନଥାଏ । ଏତାଦୃଶ ସୁବିଧା ସୁଯୋଗ ଏକ ପକ୍ଷରେ ଉପଭୋକ୍ତାଙ୍କ ପାଇଁ ସ୍ୱାଧୀନ ପରିବେଶ ସୃଷ୍ଟି କରୁଥିବାସ୍ଥଳେ ଅପରପକ୍ଷରେ ଦକ୍ଷତା ଓ ଅଭିଜ୍ଞତା ଅଭାବରୁ ସମ୍ୱାଦ, ତଥ୍ୟ ଓ ଅଭିମତ ପରିବେଷଣରେ ଗୁରୁତର ତୃଟିବିଚ୍ୟୁତିର କାରଣ ପାଲଟିଥାଏ । ମେସେଞ୍ଜର ଓ ସୋସିଆଲ ମିଡ଼ିଆ ଅପ୍ଲିକେସନଗୁଡ଼ିକର ଅପବ୍ୟବହାର, ଯଥା ନିର୍ବାଚ଼ନ ପ୍ରଚ଼ାରରେ ଗୁଜବ ପ୍ରସାରଣ ହେତୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଭ୍ରାଟ ସୃଷ୍ଟି କରିବାରେ ଲାଗିଛି । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ନିର୍ବାଚ଼ନ ପ୍ରଚ଼ାରରେ ନୂତନ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଗୁଜବ ପ୍ରସାରକୁ ନେଇ ଜଟିଳ ସମସ୍ୟାମାନ ଅମୀମାଂସିତ ପର୍ଯ୍ୟାୟରେ ଲଟିକିଛି ।

 

ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ କେନିଆରେ ତିକ୍ତ ଅଭିଜ୍ଞତା ପରେ ୨୦୧୮ ଅକ୍ଟୋବର ମାସରେ ଦକ୍ଷିଣ ଆମେରିକାର ବ୍ରାଜିଲରେ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚ଼ନ ପ୍ରଚ଼ାରରେ ମେସେଞ୍ଜର ଆପ୍ଲିକେସନଗୁଡ଼ିକୁ ପ୍ରଯୁକ୍ତି କୌଶଳ ଉପଯୋଗରେ ଅପବ୍ୟବହାର ଉଦାହରଣମାନ ପର୍ଦ୍ଦାଫାଶ ହୋଇଛି । ବ୍ରିଟିଶ ବ୍ରଡ଼କାଷ୍ଟିଂ କରପୋରେସନର ବ୍ରାଜିଲ ଶାଖାର ଅନୁସନ୍ଧାନରୁ ପ୍ରକାଶ ପାଇଛି ଯେ ଡ଼ାଟା ସ୍କ୍ରାପିଙ୍ଗ ସଫଟୱେର ବ୍ୟବହାର କରି ଉପଭୋକ୍ତାଙ୍କ ବିନା ସମ୍ମତ୍ତିରେ ହ୍ୱାଟସଆପ ଯୋଗେ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଗୁଜବ ମେସେଜ ଓ ଭିଡ଼ିଓ ଆକାରରେ ବ୍ୟାପକ ମାତ୍ରାରେ ପ୍ରସାରିତ ହୋଇଥିଲା । ଏଥିଦ୍ୱାରା ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ଭୋଟରମାନଙ୍କୁ ଉଦଭ୍ରାନ୍ତ ତଥା ପ୍ରଭାବିତ କରିବା ନିମନ୍ତେ ଉଦ୍ୟମ କରାଯାଇଥିଲା ।

 

ବିଭିନ୍ନ ଦୃଷ୍ଟିକୋଣରୁ ବ୍ରାଜିଲର ସାମାଜିକ ତଥା ଅର୍ଥନୀତିକ ପାରିପାର୍ଶ୍ୱିକ ପରିବେଶ ସହ ଭାରତର ସାମଞ୍ଜସ୍ୟ ରହିଛି । ଏହା ଏକ ବିକାଶଶୀଳ ରାଷ୍ଟ୍ର । ବ୍ରାଜିଲର ୧୪ କୋଟି ୭୦ ଲକ୍ଷ ଭୋଟରଙ୍କ ମଧ୍ୟରୁ ୧୨ କୋଟି ହ୍ୱାଟସଆପ ମେସେଞ୍ଜର ସେବାର ଉପଭୋକ୍ତା । ସେଠାରେ କେତେକ ନିର୍ଦ୍ଦିଷ୍ଟ ଆପ୍ଲିକେସନ ଇଣ୍ଟରନେଟ ଗ୍ରାହକଶ୍ରେଣୀଭୁକ୍ତ ହେବା ବିନା ମଧ୍ୟ ଉପଲବ୍ଧ । ଅର୍ଥାତ କେତେକ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ କମ୍ପାନୀ ମାଗଣାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଆପ୍ଲିକେସନ ବ୍ୟବହାରପାଇଁ ସୁଯୋଗ ପ୍ରଦାନ କରିଥାନ୍ତି । ଆମ ଦେଶରେ ଫେସବୁକ ଓ ଗୁଗୁଲ ପକ୍ଷରୁ ସେଭଳି ସେବା ପ୍ରଚ଼ଳନ କରିବା ପ୍ରସ୍ତାବକୁ ବିରୋଧ କରାଯାଇଥିଲା ।ଅସୀମିତ ପରିମାଣରେ ଇଣ୍ଟରନେଟ ସୁବିଧା କାରଣରୁ ବ୍ରାଜିଲର ସଂଖ୍ୟାଧିକ ନାଗରିକ ହ୍ୱାଟସଆପ ଭଳି ଆପ୍ଲିକେସନର ଉପଭୋକ୍ତା ରୂପେ ସାମିଲ ହୋଇପାରିଛନ୍ତି ।

 

ମୋବାଇଲଫୋନ ଯୋଗେ ସର୍ଟମେସେଜ ସର୍ଭିସ ‘ଏସଏମଏସ’ ପ୍ରେରଣ ଲାଗି ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ଏହାର ବିକଳ୍ପରେ ହ୍ୱାଟସଆପ ବିକଶିତ ହୋଇଥିଲା । ଏକ ପକ୍ଷରେ ହ୍ୱାଟସଆପ ବ୍ୟବହାର ମାଗଣା ହୋଇଥିବା ସ୍ଥଳେ ଏଥିଦ୍ୱାରା ଟେକ୍ସଟ, ଫୋଟ, ଭିଡ଼ିଓ, ଡକ୍ୟୁମେଣ୍ଟ ଓ ଲୋକେସନ ଇତ୍ୟାଦି ଇନକ୍ରିପ୍ସନ ପଦ୍ଧତିରେ ବିତରିତ ହୋଇଥାଏ । ଫେସବୁକ ହ୍ୱାଟସଆପ ସେବାକୁ ୨୦୧୪ରେ ଅଧିଗ୍ରହଣ କରିଥିଲା ଏବଂ ୧୮୦ରୁ ଉର୍ଦ୍ଧ୍ୱ ରାଷ୍ଟ୍ରରେ ଶହେ କୋଟିରୁ ଉର୍ଦ୍ଧ୍ୱ ହ୍ୱାଟସଆପ ଉପଭୋକ୍ତା ରହିଛନ୍ତି ।

 

ଏହି ଅପ୍ଲିକେସନ ଯୋଗେ ଅଧିକ ସଂଖ୍ୟକ ଉପଭୋକ୍ତାଙ୍କ ମଧ୍ୟରେ ତଥ୍ୟ ଓ ଚ଼ିତ୍ର ବିନିମୟ ଲାଗି ହ୍ୱାଟସଆପ ଗୃପ ଗଠନ କରାଯାଇଥାଏ ।ପ୍ରତ୍ୟେକ ଗୃପରେ ୨୫୬ ଜଣ ସଦସ୍ୟଭୁକ୍ତ ହୋଇପାରନ୍ତି ।ଜଣେ ଉପଭୋକ୍ତା୯,୯୯୯ ଯାଏଁ ଗୃପ ଗଠନ କରିପାରନ୍ତି । ଯେକୌଣସି ତଥ୍ୟ ବା ଚ଼ିତ୍ର ଏକା ଥରକେ ଗୃପର ସମସ୍ତ ସଦସ୍ୟଙ୍କ ନିକଟକୁ ଗୋଟିଏ କ୍ଳିକରେ ପ୍ରସାରିତ କରିହୁଏ । ଗୋଟିଏ ଗୃପର ତଥ୍ୟ ବା ଚ଼ିତ୍ର ଅନ୍ୟ ଗୋଟିଏ ଗୃପର ସଦସ୍ୟମାନଙ୍କ ମଧ୍ୟରେ ବିତରଣକୁ ଫରୱାର୍ଡ଼ କୁହାଯାଏ ।ଏଭଳି ଫରୱାର୍ଡର ସୀମା ଅନ୍ୟତ୍ର ୨୫୬ ଧାର୍ଯ୍ୟ ହେଉଥିବାସ୍ଥଳେ ଗୁଜବ ପ୍ରସାରଣକୁ ରୋକିବା ନିମନ୍ତେ ଭାରତରେ ମାତ୍ର ପାଞ୍ଚ ଗୋଟି ଫରୱାର୍ଡ଼ ମଧ୍ୟରେ ସୀମିତ କରାଯାଇଛି । ଅର୍ଥାତ କୌଣସି ତଥ୍ୟ ବା ଚ଼ିତ୍ର ଜଣେ ହ୍ୱାଟସଆପ ଉପଭୋକ୍ତା ନିଜ ଗୃପର ୨୫୬ ଜଣ ସଦସ୍ୟମଧ୍ୟରେ ପ୍ରସାରିତ କରିପାରିବେ ଏବଂ ପ୍ରତ୍ୟେକ ଗ୍ରହୀତା ଅନ୍ୟ ଗୃପ ସଦସ୍ୟଙ୍କ ନିକଟକୁ ତାହା ଫରୱାର୍ଡ଼ କରିପାରିବେ । କିନ୍ତୁ ଏଭଳି ଫରୱାର୍ଡ଼ ପାଞ୍ଚଜଣଙ୍କ ଯାଏଁ ସଂଭବପର ।

 

ହ୍ୱାଟସଆପ ଆପ୍ଲିକେସନକୁ ନିର୍ବାଚ଼ନ ପ୍ରଚ଼ାରରେ ନିୟୋଜିତ କରିବା ନିମନ୍ତେ ଗୃପ ଗଠନ ପ୍ରାଥମିକ ସୋପାନ । ମୌଳିକଭାବେ ଉପଭୋକ୍ତାଙ୍କ ସମ୍ମତ୍ତିରେ ଜଣେ ଏଡ଼ମିନଷ୍ଟେଟରଙ୍କ ତତ୍ତ୍ୱାବଧାନରେ ଗୃପ ଗଠିତ ହୋଇଥାଏ । ଟେଲିଫୋନ ଗ୍ରାହକ ସଂପର୍କୀତ ତଥ୍ୟାବଳୀ ବ୍ରାଜିଲ ଭଳି ରାଷ୍ଟ୍ରରେ ନିୟମାନୁଯାୟୀ ବିକ୍ରୀ ହେଉଥିବା ସ୍ଥଳେ ରାଜନୀତିକ ନେତୃବର୍ଗ ତାହା ଟେଲିଯୋଗାଯୋଗ ସେବା ପ୍ରଦାନକାରୀଙ୍କଠାରୁ କିଣିଥାନ୍ତି କିମ୍ୱା ବେନିୟମଭାବେ ସଂଗ୍ରହ କରି ଉପଭୋକ୍ତାମାନଙ୍କ ଅଗୋଚ଼ରରେ ହ୍ୱାଟସଆପ ଗୃପମାନ ଗଠନ କରିଥାନ୍ତି । ଏଭଳି ଗୃପଗୁଡ଼ିକରେ ରାଜନୀତିକ ତଥ୍ୟ ଓ ଚ଼ିତ୍ର ନିୟମିତଭାବେ ପ୍ରସାରିତ ହୋଇଥାଏ ।

 

ବିବିସି ଅନୁସନ୍ଧାନରୁ ଜଣାଯାଇଛି ଯେ ଡ଼ାଟା ସ୍କ୍ରାପିଙ୍ଗ ସଫଟୱେର ଉପଯୋଗରେ ଫେସବୁକ ଭଳି ମଞ୍ଚଗୁଡ଼ିକରୁ ଉପଭୋକ୍ତାମାନଙ୍କ ରୁଚ଼ି ପରଖି ଦଶ ମିନଟ ମଧ୍ୟରେ ଏକ ହଜାର ଟେଲିଫୋନ ନମ୍ୱର ସଂଗ୍ରହ ସଂଭବପର । ଉଦାହରଣରେ ଫେସବୁକ ପୃଷ୍ଠାଗୁଡ଼ିକରେ ଯେଉଁ ଯୁବକମାନେ ନୂତନ ବୈଷୟିକ କୌଶଳ ସମ୍ମନ୍ଧିତ ପୋଷ୍ଟମାନ କ୍ଳିକ କରି ପଢ଼ିଛନ୍ତି କିମ୍ୱା ଯେଉଁ ଗୃହଣୀମାନେ ବର୍ଦ୍ଧିତ ଇନ୍ଧନ ଦର ସଂପର୍କରେ ପୋଷ୍ଟଗୁଡ଼ିକୁ ଲାଇକ କରିଛନ୍ତି ସେମାନଙ୍କ ଟେଲିଫୋନ ନମ୍ୱର ପୃଥକ ପୃଥକଭାବେ ଏକାଠି କରାଯାଇପାରେ । ଏହି ଟେଲିଫୋନ ନମ୍ୱରଗୁଡ଼ିକୁ ଭିନ୍ନ ଭିନ୍ନ ହ୍ୱାଟସଆପ ଗୃପରେ ସାମିଲ କରାଯାଇ ସେମାନଙ୍କ ଆଗ୍ରହ ଅନୁଯାୟୀ ନିର୍ବାଚ଼ନ ସମ୍ପର୍କୀତ ସତ୍ୟ ବା ଅସତ୍ୟ ସମ୍ୱାଦ, ତଥ୍ୟ ବା ଅଭିମତ ବିତରଣର ବ୍ୟବସ୍ଥା ସଂଭବପର ।

 

ବ୍ରାଜିଲରେ ୨୦୧୮ ଅକ୍ଟୋବର ନିର୍ବାଚ଼ନ ଅବସରରେ କେତେକ ଇଣ୍ଟରନେଟ ବ୍ୟବସାୟୀ ଅତ୍ୟାଧୁନିକ ସଫଟୱେର ଉପଯୋଗରେ ହ୍ୱାଟସଆପ ଗୃପମାନ ଗଠନକରି ପ୍ରତ୍ୟେକ ଗୃପରେ ନିଜସ୍ୱ କର୍ମଚ଼ାରୀଙ୍କୁ ନିୟୋଜିତ କରିଥିଲେ ।ରାଜନୀତିକ ନେତୃବର୍ଗଙ୍କ ବରାଦମତେ ଭୋଟରଙ୍କ ରୁଚ଼ି ଓ ସ୍ୱତନ୍ତ୍ର୍ୟ ଅନୁଯାୟୀ ବର୍ଗୀକୃତ ଗୃପଗୁଡ଼ିକରେ ନିଜ କର୍ମଚ଼ାରୀଙ୍କ ସହାୟତାରେ ନିୟମିତ ତଥ୍ୟ ଓ ଭିଡ଼ିଓ ପୋଷ୍ଟ କରୁଥିଲେ । ଫଳରେ ନିର୍ଦ୍ଦିଷ୍ଟ ନେତାଙ୍କ ସଂପର୍କରେ ବହୁଳ ପ୍ରଚ଼ାରର ପରିବେଶ ସୃଷ୍ଟି ହୋଇପାରୁଥିଲା ।ପ୍ରାୟୋଜିତ ଗୃପଗୁଡ଼ିକରୁ ପ୍ରାୟ ଅର୍ଦ୍ଧେକ ସଦସ୍ୟ କିଛି ସମୟ ମଧ୍ୟରେ ଅପସରି ଯାଉଥିବା ଅବସରରେ ପୁଣି ନୂତନ ସଦସ୍ୟଙ୍କୁ ସମ୍ମିଳିତ କରିବାକୁ ପଡୁଥିଲା । ଏତାଦୃଶ ନିର୍ବାଚ଼ନ ପ୍ରଚ଼ାର ନିମନ୍ତେ ଗୃପ ଗଠନରେ ସଦସ୍ୟ ସଂଗ୍ରହ, ଗୃପରେ ପ୍ରସାରଣ ପରିଚ଼ାଳନାଲାଗି କର୍ମଚ଼ାରୀ ନିଯୁକ୍ତି ତଥା ପ୍ରସାରଣ ସାମଗ୍ରୀ ସୃଜନ ନିମନ୍ତେ ବିପୁଳ ଅର୍ଥ ବ୍ୟୟ ହୋଇଥିଲା । ଏକ ହିସାବ ଅନୁଯାୟୀ ଦଶ ଲକ୍ଷ ହ୍ୱାଟସଆପ ମେସେଜ ବିତରଣ ଲାଗି ଇଣ୍ଟରନେଟ ବ୍ୟବସାୟୀମାନେ ୬ଲକ୍ଷ ୨୦ ହଜାର ଟଙ୍କା ଯାଏଁ ପାରିଶ୍ରମିକ ନେଇଥିଲେ ।

 

ବ୍ରାଜିଲରେ ଅଟୋମେଟିକ ଡ଼ାଟା ସ୍କ୍ରାପିଙ୍ଗ ସଫଟୱେର ଉପଯୋଗରେ ଥରକା ତିନି ଲକ୍ଷ ହ୍ୱାଟସଆପ ମେସେଜ ପ୍ରେରଣ ସମ୍ଭବପର ବୋଲି କୁହାଯାଉଛି । ଫଳରେ ନିର୍ବାଚ଼ନ ଅବସରରେ ଗୁଜବ ପ୍ରସାରଲାଗି ପ୍ରଶସ୍ତ କ୍ଷେତ୍ର ସୃଷ୍ଟି ସଂଭବପର ହୋଇପାରୁଛି । ରାଜନୀତିକ ଦଳଗୁଡ଼ିକ ସହ ବିଭିନ୍ନ ମନୋହରି ସାମଗ୍ରୀ ବିକ୍ରେତାମାନେ ମଧ୍ୟ ଗ୍ରାହକଙ୍କ ମଧ୍ୟରେ ଦ୍ରବ୍ୟ ଓ ସେବା ବିଜ୍ଞାପନ ଲାଗି ଏଭଳି ସୁବିଧାସୁଯୋଗ ଗ୍ରହଣ କରୁଛନ୍ତି । ବ୍ରାଜିଲର ଉଦାହରଣ କ୍ରମଶଃ ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ପ୍ରସାରିତ ହେବା ଆଶଙ୍କା କରାଯାଇପାରେ ।

 

ଭାରତରେ ୧୩୦ କୋଟି ଜନସଂଖ୍ୟାରେ ୫୦ କୋଟି ଇଣ୍ଟରନେଟ ସଂଯୋଗ ତଥା ୨୦ କୋଟି ହ୍ୱାଟସଆପ ଉପଭୋକ୍ତାକୁ ବିଚ଼ାରକୁ ନେଲେ ବ୍ରାଜିଲ ପରିବେଶ ସହ ସମକକ୍ଷ ନହୋଇପାରେ । ତେବେ ୨୦୧୯ ରାଜ୍ୟ ଓ କେନ୍ଦ୍ର ନିର୍ବାଚ଼ନରେ ହ୍ୱାଟସଆପ ଯୋଗେ ପ୍ରଚ଼ାର ବେଶ ଜୋର ଧରିବ ବୋଲି ବିଚ଼ାର କରାଯାଇପାରେ । କର୍ଣ୍ଣାଟକରେ ୨୦୧୮ ପ୍ରଥାମାର୍ଦ୍ଧରେ ବିଧାନସଭା ନିର୍ବାଚ଼ନରେ ହ୍ୱାଟସଆପ ଗୃପ ଗଠନ ପ୍ରାଧାନ୍ୟ ଲାଭ କରିଥିଲା । ଦେଶବ୍ୟାପୀ ରାଜନୀତିକ ଦଳମାନଙ୍କ ପକ୍ଷରୁ ୨୦୧୯ ନିର୍ବାଚ଼ନକୁ କେନ୍ଦ୍ରକରି ନିଜ ସମର୍ଥକମାନଙ୍କୁ ହ୍ୱାଟସଆପ ଗୃପ ଗଠନ କରି ଏକତ୍ରୀତ କରୁଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଭୋଟରଙ୍କଠାରେ ପହଞ୍ଚିବା ପାଇଁ ପ୍ରଯୁକ୍ତି କୌଶଳ ଉପଯୋଗକରି କିଛି ଅସାଧୁ ପଦ୍ଧତି ଅବଲମ୍ୱନର ପୁର୍ବାନୁମାନ ଏଡ଼ାଇ ଦିଆନଯାଇପାରେ ।

 

ଆମ ଦେଶରେ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀତ୍ୱ ଦୀର୍ଘ ସମୟ ପୂର୍ବରୁ ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ଘୋଷିତ ହୋଇପାରୁ ନାହିଁ । ଫଳରେ ପ୍ରାର୍ଥୀମାନେ ବ୍ୟକ୍ତିଗତସ୍ତରରେ ପ୍ରଚ଼ାର ନିମନ୍ତେ ଯୋଜନା ରୂପାୟନ ନିମନ୍ତେ ଆବଶ୍ୟକୀୟ ସମୟ ପାଇପାରୁ ନାହାନ୍ତି । ସାମଗ୍ରୀକ ସମସ୍ୟା ଆଧାରିତ ପୂର୍ବପ୍ରସ୍ତୁତ ପ୍ରଚ଼ାର ସାମଗ୍ରୀ ପ୍ରାର୍ଥୀମାନେ ଦଳୀୟ ସୂତ୍ରରୁ ପାଇପାରୁଥିଲେ ହେଁ ନିଜସ୍ୱ ନିର୍ବାଚ଼ନମଣ୍ଡଳୀ ସଂପର୍କରେ ଆଞ୍ଚଳିକଭିତ୍ତିରେ ବିଭିନ୍ନ ସମସ୍ୟା ନେଇ ପ୍ରଚ଼ାର ସାମଗ୍ରୀ କମ ସମୟ ମଧ୍ୟରେ ପ୍ରସ୍ତୁତ କରିପାରନ୍ତି ନାହିଁ । ଏଭଳି ପରିସ୍ଥିତି ଅନେକ ସମୟରେ ସେମାନଙ୍କୁ ବାଟବଣା କରିଥାଏ । ନିର୍ବାଚ଼ନ ପ୍ରଚ଼ାରରେ ସୋସିଆଲ ମିଡ଼ିଆ ଉପଯୋଗ ନିମନ୍ତେ ପୂର୍ବ ପ୍ରସ୍ତୁତି ନିତାନ୍ତ ଆବଶ୍ୟକ ।                   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ନଭେମ୍ୱର ୨୦୧


ତଥ୍ୟ:


Magenta,Matheus,Juliana Gragnani and Felipe Souza, BBC News Brasil.How WhatsApp is being abused in Brazil's elections



<https://www.bbc.com/news/technology-45956557>


‘ହ୍ୱାଟସଆପ ପାଂଷ୍ଟ’ କର୍ଣ୍ଣାଟକ ନିର୍ବାଚ଼ନ

କର୍ଣ୍ଣାଟକ ବିଧାନସଭା ୨୦୧୮ ନିର୍ବାଚ଼ନ ପ୍ରଚ଼ାରରେ ସ୍ମାର୍ଟଫୋନ ମେସେଜିଂ ଆପ୍ଲିକେସନ ‘ହ୍ୱାଟସଆପ’ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିବା ବୈଦେଶିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା । ନିର୍ବାଚ଼ନ ପରେ ପରେ ନ୍ୟୂୟର୍କ ଟାଇମ୍ସ ଓ ୱାଶିଂଟନ ପୋଷ୍ଟରେ ପ୍ରକାଶିତ ଦୁଇଗୋଟି ବିବରଣୀ ଆଧାରରେ ରାଜନୈତିକମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା। ଭାରତଭଳି ବିକାଶୋନ୍ମୁଖୀ ରାଷ୍ଟ୍ରରେ ଡ଼ିଜିଟାଲ ପ୍ରଚ଼ାର ଅଭିଯାନରେ ହ୍ୱାଟସଆପ ସୃଷ୍ଟ ନୂତନ ପ୍ରବାହ ଦୀର୍ଘକାଳ ଯାଏଁ ବଳବତ୍ତର ରହିବା ଆକଳନ କରାଯାଉଛି ।


 

ଆନ୍ତର୍ଜାତିକସ୍ତରରେ ୨୦୧୬ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚ଼ନ ପରକୁ ୟୁରୋପୀୟ  ବିକେନ୍ଦ୍ରୀକରଣ ଜନମତ ଚୟନ, ଫ୍ରାନ୍ସ, ବ୍ରିଟେନ ଓ କେନିଆ ନିର୍ବାଚ଼ନ ପ୍ରଚ଼ାରରେ ମୁଖ୍ୟତଃ ଫେସବୁକ ବହୁଳମାତ୍ରାରେ ବ୍ୟବହୃତ ହୋଇଥିଲା । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତ ସମତେ ବ୍ରାଜିଲ ଓ ଇଣ୍ଡୋନେସିଆରେ ସ୍ମାର୍ଟଫୋନର ବ୍ୟବହାର କ୍ରମଶଃ ବଢ଼ିଚ଼ିଲିଥିବା ଅବସରରେ ହ୍ୱାଟସଆପର ଲୋକପ୍ରିୟତା ରାଜନୀତିକ ପ୍ରଚ଼ାର ଅଭିଯାନରେ ଉପଯୋଗ କରାଯାଉଥିବା ଦେଖିବାକୁ ମିଳୁଛି। ହ୍ୱାଟସଆପ ୨୦୦୯ରେ ବିକଶିତ ହୋଇଥିଲେ ହେଁ ୨୦୧୪ରେ ଫେସବୁକ ଏକ ଲକ୍ଷ ୩୩ ହଜାର କୋଟି ଟଙ୍କା ବିନିମୟରେ ଅଧିଗ୍ରହଣ କରିବା ଅବସରରେ ବିଶ୍ୱବ୍ୟାପୀ ଏହାର ବ୍ୟବହାର ବୃଦ୍ଧିପାଇବାରେ ଲାଗିଛି ।


 

ହ୍ୱାଟସଆପର ଆନ୍ତର୍ଜାତିକ ଉପଭୋକ୍ତାଙ୍କ ସଂଖ୍ୟା ୧୫୦ କୋଟି ହିସାବ କରାଯାଉଥିବା ସ୍ଥଳେ ଭାରତରେ ପ୍ରାୟ ୨୦ କୋଟି ଉପଭୋକ୍ତା ଏହି ଆପକୁ ଅନ୍ତତଃପକ୍ଷେ ମାସକୁ ଥରେ ବ୍ୟବହାର କରିଥାନ୍ତି । ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ ଏହାର ଉପଭୋକ୍ତା ସଂଖ୍ୟା ସର୍ବାଧିକ ।ନିର୍ବାଚ଼ନ ପ୍ରଚ଼ାର ଅଭିଯାନରେ ସମ୍ୱାଦପତ୍ର ଓ ଟେଲିଭିଜନ ଭଳି ପାରମ୍ପରିକ ଗଣମାଧ୍ୟମ ବ୍ୟବହାର ସାଙ୍ଗକୁ ସୋସିଆଲ ମିଡ଼ିଆରେ ହ୍ୱାଟସଆପ ଉପଯୋଗ କ୍ରମଶଃ ନୂତନ ସମୀକରଣ ସୃଷ୍ଟି କରିଛି ।


 

ହ୍ୱାଟସଆପର କେତେକ ବୈଶିଷ୍ଟ୍ୟ ରହିଛି । ୱେବ ସାଇଟ, ବ୍ଳଗ ଠାରୁ ଆରମ୍ଭ କରି ଫେସବୁକ, ଇନଷ୍ଟ୍ରାଗ୍ରାମ ଭଳି ସୋସିଆଲ ମିଡ଼ିଆ ସର୍ବସାଧାରଣରେ ପ୍ରଦର୍ଶିତହେବା  ଉପାଦାନ ସନ୍ନିବେଶିତ ହୋଇଥିବା ସ୍ଥଳେ ହ୍ୱାଟସଆପ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ସ୍ମାର୍ଟଫୋନରୁ ଅନ୍ୟଜଣକଙ୍କ ବା ଏକ ଗୋଷ୍ଠୀର ସ୍ମାର୍ଟଫୋନଗୁଡ଼ିକୁ ତଥ୍ୟ, ଚ଼ିତ୍ର, ସ୍ୱର ବା ଦୃଶ୍ୟ ପ୍ରସାରିତ ହୋଇଥାଏ । ହ୍ୱାଟସଆପରେ ଏନକ୍ରାପ୍ଟ ପଦ୍ଧତି ବ୍ୟବହୃତ ହେଉଥିବା ହେତୁ ପରିବାହିତ ତଥ୍ୟାବଳୀ ଗ୍ରହୀତାଙ୍କ ବ୍ୟତୀତ ଅନ୍ୟସୂତ୍ରରେ ଆହରଣ କରିବା ସମ୍ଭବପର ହୋଇପାରିନଥାଏ । ଫଳରେ ଯୋଗାଯୋଗ ଏକାନ୍ତ ଗୁପ୍ତ ଓ ସୁରକ୍ଷିତ ରହିଥାଏ ।


 

ହ୍ୱାଟସଆପ ଏକ ନିଃଶୁଳ୍କ ସେବା । ଏହାର ଉପଭୋକ୍ତାମାନେ ପରସ୍ପର ଯୋଗାଯୋଗ ନେଟୱାର୍କସ୍ଥାପନ ନିମନ୍ତେ ହ୍ୱାଟସଆପ ଗୃପ ଗଠନ କରିଥାନ୍ତି ଏବଂ ପ୍ରତ୍ୟେକ ଗୃପରେ ୨୫୬ ଗୋଟି ସ୍ମାର୍ଟଫୋନ ନମ୍ୱର ସନ୍ନିବେଶିତ ହୋଇପାରେ । ଜଣେ ଉପଭୋକ୍ତା ଏକାଧିକ ଗୃପରେ ସଦସ୍ୟ ରହିପାରେ । ଫଳରେ ଗୋଟିଏ ପୋଷ୍ଟ ଅତି କମ ସମୟ ମଧ୍ୟରେ ସଂପୃକ୍ତ ଉପଭୋକ୍ତାଙ୍କ ପରିଚ଼ିତ ବ୍ୟକ୍ତିଙ୍କ ମଧ୍ୟରେ ପ୍ରସାରିତ ହୋଇପାରେ ତଥା ଶାଖା ପ୍ରଶାଖାକୁ ବ୍ୟାପିଯାଏ । ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଯୋଜନାବଦ୍ଧଭାବେ ନିର୍ବାଚ଼ନ ପୂର୍ବରୁ ତୃଣମୂଳସ୍ତରରେ କର୍ମୀମାନଙ୍କ ଜରିଆରେ ହ୍ୱାଟସଆପ ଗୃପମାନ ଗଠନ କରି ପ୍ରଚ଼ାର ଅଭିଯାନରେ ସାମିଲ କରିଥାନ୍ତି ।ତେବେ ୨୦୧୮ ଅଗଷ୍ଟ ମାସରୁ ଭାରତରେ ହ୍ୱାଟସଆପ ଫରୱାର୍ଡ ସୀମା ପାଞ୍ଚକୁ ଖସାଇଦିଆଯାଇଛି ।


 

କର୍ଣ୍ଣାଟକ ବିଧାନସଭା ନିର୍ବାଚ଼ନରେ ଭୋଟରମାନଙ୍କ ମଧ୍ୟରେ ପ୍ରବଳ ଉଦ୍ଦୀପନା ଲକ୍ଷ୍ୟ କରାଯାଇଥିଲା । ଭୋଟ ଦେବା ପାଇଁ ୭୨ ପ୍ରତିଶତ ଭୋଟର ବୁଥ ପହଞ୍ଚିଥିଲେ । ୧୯୫୨ ନିର୍ବାଚ଼ନ ପରଠାରୁ ଏହା ସର୍ବାଧିକ । ରାଜ୍ୟର ୪ କୋଟି ୯୦ ଲକ୍ଷ ଭୋଟରଙ୍କୁ ପ୍ରଭାବିତ କରିବାପାଇଁ ନିର୍ବାଚ଼ନ ଦୌଡ଼ରେ ଆଗୁଆଥିବା ଦୁଇ ମୁଖ୍ୟ ରାଜନୈତିକ ଦଳ ପକ୍ଷରୁ ପ୍ରାୟ ୫୦ ହଜାର ହ୍ୱାଟସଆପ ଗୃପ ଗଠନ କରାଯାଇଥିଲା ।


 

ଗୋଟିଏ ରାଜନୈତିକ ଦଳରକଲେଜ ପଢୁଆ ଜଣେ ତୃଣମୂଳସ୍ତରର କର୍ମୀ ସାମ୍ୱାଦିକମାନଙ୍କୁ କହିଛନ୍ତି ଯେ ତାଙ୍କରି ଜିମାରେ ୬୦ ଜଣ ଭୋଟରଙ୍କୁ ପ୍ରଭାବିତ କରାଇବା ନିମନ୍ତେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ସେ ଅନବରତ ହ୍ୱାଟସଆପ ପୋଷ୍ଟ ପ୍ରଚ଼ାର କରି ୪୭ ଗୋଟି ଭୋଟ ନିଜ ଦଳ ସପକ୍ଷରେ ଅକ୍ତିଆର କରିପାରିଥିଲେ । ସେମାନଙ୍କ ମଧ୍ୟରେ ପୂର୍ବରୁ ପକ୍ଷଭୁକ୍ତ ହୋଇନଥିବା ୧୩ ଜଣ ପ୍ରଚ଼ାରରେ ପ୍ରଭାବିତ ହୋଇଥିବା ଅନୁମାନ କରିଥିଲେ । ଏଭଳି ଉଦାହରଣ କର୍ଣ୍ଣାଟକ ବିଧାନସଭା ନିର୍ବାଚ଼ନରେ ହ୍ୱାଟସଆପ ପ୍ରଚ଼ାରର ଗୁରୁତ୍ୱାରୋପ କରିଥାଏ ।


 

ହ୍ୱାଟସଆପ ଉପଯୋଗରେ କର୍ଣ୍ଣାଟକ ବିଧାନସଭା ନିର୍ବାଚ଼ନ ପ୍ରଚ଼ାରରେ ବିପୁଳ ଗୁଜବ, ମିଥ୍ୟା ସମ୍ୱାଦ ବା ଫେକ ନିଉଜ, ବିଦୃପ, ଆକ୍ଷେପମୂଳକ ଓ ହିଂସାଉଦ୍ରେକକାରୀ ପୋଷ୍ଟ ବିନିମୟ ‘ସେୟାର’ ହୋଇଥିବା ଅଭିଯୋଗ ଉଠିଛି । ତେବେ ଏଭଳି ଆପ୍ଲିକେସନ ଉପଯୋଗରେ ଗୋପନୀୟତା କାରଣରୁ ମଞ୍ଚର ଆୟୋଜକ କିମ୍ୱା ପ୍ରଶାସନପକ୍ଷରୁ କୌଣସି ପଦକ୍ଷେପ ନେବା ସମ୍ଭବପର ହୋଇପାରି ନଥାଏ । ହ୍ୱାଟସଆପର କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ମଞ୍ଚରେ ନିର୍ଦ୍ଧିଷ୍ଟ ଉପଭୋକ୍ତାଙ୍କ ଏକାଉଣ୍ଟ ବାତିଲ ବା ରଦ୍ଦ କରିଦେବା ବ୍ୟତୀତ ଅନ୍ୟ ପଦକ୍ଷେପ ଗ୍ରହଣ କରିବା ସୁବିଧା ନାହିଁ ।


 

ଅପରପକ୍ଷରେ ପ୍ରଶାସନିକସ୍ତରରେ ମଧ୍ୟ ହ୍ୱାଟସଆପରେ ବିଦ୍ୱେଷମୂଳକ ପ୍ରସାରଣ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରମାଣ ଅଭାବରୁ ସମ୍ଭବପର ହୋଇପାରି ନଥାଏ । ଜରୁରୀ ପରିସ୍ଥିତିରେ ସାମାଜିକ ଅସ୍ଥିରତା ରୋକିବା ପାଇଁ  ହ୍ୱାଟସଆପ ପ୍ରସାରଣ ବନ୍ଦ କରିବା ଉଦ୍ଦେଶ୍ୟରେ ସଂପୃକ୍ତ ଇଲାକାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦେବାକୁ ପଡ଼ିଥାଏ । ଏକ ହିସାବ ଅନୁଯାୟୀ ଭାରତରେ ୨୦୧୪ରେ ମାତ୍ର ଛଅ ଥର ଇଣ୍ଟରନେଟ ସେବା ବନ୍ଦ ହୋଇଥିବା ସ୍ଥଳେ ୨୦୧୭ରେ ତାହା ୭୦ଥରକୁ ବୃଦ୍ଧି ପାଇଥିଲା ।


 

ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବ୍ରାଜିଲରେ ଅନୁରୂପ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଉଥିବା ସ୍ଥଳେ ମେସ୍କିକୋ ଓ ଇଜିପ୍ଟରେ ବେସରକାରୀସ୍ତରରେ ହ୍ୱାଟସଆପରେ ପ୍ରସାରିତ ତଥ୍ୟ ପରଖିବା ପାଇଁ ହଟଲାଇନ ଟେଲିଫୋନ ସେବା ପ୍ରଚଳନ କରାଯାଇଛି । କଲମ୍ୱିଆରେ ଏଥିପାଇଁ ଏକ ୱେବସାଇଟ ଅନବରତ କାର୍ଯ୍ୟକ୍ଷମ ରହିଥିବା ଜଣାଯାଏ ।


 

ଭାରତଭଳି ଦେଶରେ ହ୍ୱାଟସଅପ ଲୋକପ୍ରିୟତାର ବିଭିନ୍ନ କାରଣ ମଧ୍ୟରେ ୨୦୧୬ ମଧ୍ୟଭାଗରୁ ଇଣ୍ଟରନେଟ ବ୍ୟାପ୍ତି, ଡ଼ାଟା ବ୍ୟବହାର ଦରହ୍ରାସ ଓ ସୁଲଭ ମୂଲ୍ୟରେ ସ୍ମାର୍ଟଫୋନ ପ୍ରଚ଼ଳନ ଅନ୍ୟତମ । ଟେକ୍ସଟ ମେସେଜ ଓ ଇ-ମେଲରେ ଅକ୍ଷରଜ୍ଞାନ ଓ ବ୍ୟବହାର ଆବଶ୍ୟକତା ପଡୁଥିବାବେଳେ ହ୍ୱାଟସଅପ କ୍ଷେତ୍ରରେ ରଚ଼ନା ବା ଦୃଶ୍ୟ ପ୍ରସ୍ତୁତି ବଦଳରେ କେବଳ ବିଷୟ ବିନିମୟଗୁରୁତ୍ୱ ବହନ କରୁଥିବା ହେତୁ ଏହାର ବ୍ୟବହାର ସରଳ ଓ ସହଜ ହୋଇଥାଏ । ମୁଖ୍ୟତଃ ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତଙ୍କ ସ୍ମାର୍ଟଫୋନ ବ୍ୟବହାର ସଉକ ମେଣ୍ଟଇବା ସାଙ୍ଗକୁ ଗୁଜବ, ଆକ୍ଷେପ ଓ ଚ଼ାଞ୍ଚଲ୍ୟ ପ୍ରସାରଣ ପାଇଁ ପରିବେଶ ସୃଷ୍ଟିରେ ପର୍ଯ୍ୟବସିତ ।


 

ଗତ ସାଧାରଣ ନିର୍ବାଚ଼ନ ୨୦୧୪ରେ ପ୍ରଚ଼ାର ଅଭିଯାନରେ ଫେସବୁକ ଉପଯୋଗ ପ୍ରାଧାନ୍ୟ ଲାଭ କରିଥିଲା । ତେବେ ୨୦୧୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚ଼ନ ପ୍ରଚ଼ାର ଅଭିଯାନରେ ହ୍ୱାଟସଅପ ସାମିଲ ହୋଇଥିଲା ।ଏହି ଅବସରରେ ଏକ ରାଜନୈତିକ ଦଳ ପକ୍ଷରୁ ଛଅ ହଜାର ହ୍ୱାଟସଅପ ଗୃପ ଗଠନ କରାଯାଇଥିବା ହିସାବ କରାଯାଇଥିଲା। କର୍ଣ୍ଣାଟକ ବିଧାନସଭା ନିର୍ବାଚ଼ନ ପ୍ରଚ଼ାର ଅଭିଯାନକୁ କେତେକ ଗଣମାଧ୍ୟମ ସମୀକ୍ଷକ ‘ହ୍ୱଟସଅପ ପାଂଷ୍ଟ’ଅର୍ଥାତ ହ୍ୱାଟସଆପକୁ ପ୍ରାଥମିକତା ଦିଆଯାଇଥିବା ନିର୍ବାଚ଼ନ ରୂପେ ଅଭିହିତ କରିଛନ୍ତି । ଭବିଷ୍ୟତରେ ମୁଖ୍ୟତଃ ୨୦୧୯ ସାଧାରଣ ନିର୍ବାଚ଼଼ନ ଅବସରରେ ଏହି ଧାରା ଅଧିକ ଶାଣିତ ହେବା ଆଶା କରାଯାଇପାରେ । କିନ୍ତୁ ଫରୱାର୍ଡ ସୀମା ହ୍ରାସ ପ୍ରଚ଼ାରକୁ ଶୀଥିଳ କରିବ ।


 

ହ୍ୱାଟସଆପର ବର୍ଦ୍ଧିତ ଲୋକପ୍ରିୟତା ରାଜନୀତି ଭିନ୍ନ ବ୍ୟବସାୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ଇତ୍ୟାଦି ଅନ୍ୟାନ୍ୟ ସାମାଜିକ ଦିଗରେ ଏହାର ଉପଯୋଗ ପ୍ରତି ପଥ ଉନ୍ମୁକ୍ତ କରିପାରେ । ଅପରପକ୍ଷେ ଏଭଳି ମାଧ୍ୟମରେ ଦୁରୋପଯୋଗ ଅସମାହିତ ସମସ୍ୟାମାନ ସୃଷ୍ଟି କରିବାରେ ଲାଗିଛି ।ହ୍ୱାଟସଆପରେ ଗୁଜବ ପ୍ରସାରଣ ଅବସରରେ ଗ୍ରହୀତା ସତ୍ୟାସତ୍ୟ ପରଖି କିମ୍ୱା ତାହାକୁ ରୋକିବା ନିମନ୍ତେ କୌଣସି ବ୍ୟବସ୍ଥା ଉପଲବ୍ଧ ନଥିବା ହେତୁ ସ୍ଥଳବିଶେଷରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିର କାରଣ ପାଲଟୁଥିବା ଦେଖିବାକୁ ମିଳୁଛି ।


 

ଆମ ଦେଶରେ ହ୍ୱାଟସଆପ ଉପଭୋକ୍ତାଙ୍କ ମଧ୍ୟରେ ଅନେକେ ଡ଼ିଜିଟାଲ ସାକ୍ଷର ନଥିବା ହେତୁ ଏହାର ଅନୁଚ଼ିତ ପ୍ରସାରଣଜନିତ ପ୍ରାଦୁର୍ଭାବରୁ ବିନା ସାମାଜିକ ସହଯୋଗରେ ବର୍ତ୍ତିବା ସମ୍ଭବପର ନୁହେଁ । ଏଭଳି ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନିକସ୍ତରରେ ଡ଼ିଜିଟାଲ ନୀତିନିର୍ଦ୍ଧାରଣ ତଥା ଆଇନ ପ୍ରଣୟନ ଅପରିହାର୍ଯ୍ୟ । ଅବଶ୍ୟ ଆମ ଦେଶରେ ଏ ଦିଗରେ ପ୍ରସ୍ତୁତି ଚ଼ାଲିଛି ଏବଂ ସରକାରଙ୍କ ପକ୍ଷରୁ ଡ଼ିଜିଟାଲ ନୀତି ଘୋଷଣାକୁ ଅପେକ୍ଷା କରାଯାଉଛି ।                    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୫ ମେ ୨୦୧୮


ତଥ୍ୟ:



https://www.nytimes.com/2018/05/14/technology/whatsapp-india-elections.html


 

https://www.ndtv.com/india-news/karnataka-is-indias-whatsapp-first-election-foreign-media-1852208


 

https://www.financialexpress.com/india-news/tamil-nadu-two-lynched-to-death-in-24-hours-how-fake-whatsapp-messages-spread-panic/1163520/

ସୋସିଆଲ ମିଡ଼ିଆ ଆଶ୍ରିତ ନିର୍ବାଚ଼ନ ପ୍ରଚାର ୨୦୨୪ 

ଭାରତରେ ନିକଟ ଅତୀତର ଦୁଇ ସାଧାରଣ ନିର୍ବାଚ଼ନ ୨୦୧୪ ଓ ୨୦୧୯ରେ ନିର୍ବାଚ଼ନ ପ୍ରଚାରରେ ସୋସିଆଲ ମିଡ଼ିଆ ସାମିଲ ହୋଇଥିଲା ସତ, କିନ୍ତୁ ଜନସାଧାରଣରେ ସୋସିଆଲ ମିଡ଼ିଆ ଉପଭୋକ୍ତାଙ୍କ ସଂଖ୍ୟା ସୀମିତ ରହିଥିଲା । ତେବେ ୨୦୨୩ ସୁଦ୍ଧା ୭୫ କୋଟି ଜନସାଧାରଣ ସକ୍ରିୟ ଉପଭୋକ୍ତା, ଅର୍ଥାତ ମାସକୁ ଅନ୍ତତଃ ଥରେ ଇଣ୍ଟରନେଟ ମଞ୍ଚରେ ଅବତୀର୍ଣ୍ଣ ହେଉଥିବା ‘ଗୁଗୁଲ-କାନ୍ତାର’ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାଯାଏ । ଇଣ୍ଟରନେଟ ମଞ୍ଚରେ ଉପଭୋକ୍ତା ବୃଦ୍ଧି ସାଧାରଣ ନିର୍ବାଚ଼ନ ୨୦୨୪ରେ ଅନଲାଇନ ପ୍ରଚାରକୁ ତ୍ୱରାନ୍ୱିତ କରିବା ସ୍ୱାଭାବିକ । ଜୁନ ୨୦୨୩ ଶେଷ ସପ୍ତାହରେ ରାଜସ୍ଥାନ ସରକାରଙ୍କ ଉନ୍ନୟନ କାର୍ଯ୍ୟକ୍ରମ ବିଜ୍ଞପିତ କରିବା ନିମନ୍ତେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ଆମନ୍ତ୍ରଣ ଏହି କ୍ଷେତ୍ରରେ ସଂଭାବ୍ୟ ଭବିଷ୍ୟତର ଚ଼ିତ୍ରାଙ୍କନ କରିଥିଲା ।

 

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ‘ରଏଟର ଇନଷ୍ଟିଟିଉଟ ଅଫ ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ପକ୍ଷରୁ ୨୦୨୩ ଜାନୁୟାରୀ ଓ ଫେବୃୟାରୀ ମାସରେ ଆୟୋଜିତ ସର୍ବେକ୍ଷଣ ତଥ୍ୟ ଅନୁଯାୟୀ ୫୩ ପ୍ରତିଶତ ଭାରତୀୟ ୟୁଟ୍ୟୁବ ମଞ୍ଚରୁ ସମ୍ୱାଦ ଆହରଣ କରୁଥିବା ସ୍ଥଳେ ହ୍ୱାଟସଅପରେ ୫୧ ପ୍ରତିଶତ, ଫେସବୁକରେ ୩୯ ପ୍ରତିଶତ, ଇନଷ୍ଟାଗ୍ରାମରେ ୩୨ ପ୍ରତିଶତ, ଟେଲିଗ୍ରାମ ଓ ଟୁଇଟରରେ ପ୍ରତ୍ୟେକ ୨୦ ପ୍ରତିଶତ ଅନଲାଇନ ସମ୍ୱାଦ ଉପଭୋକ୍ତା ହିସାବ କରାଯାଏ । ସୋସିଆଲ ମିଡ଼ିଆରେ ବିପୁଳ ସଂଖ୍ୟକ ଭୋଟରଙ୍କ ଉପସ୍ଥିତି ନିର୍ବାଚ଼ନ ପ୍ରଚାର ନିମନ୍ତେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିପାରିଥିବା ସୁସ୍ପଷ୍ଟ ।

 

ରାଜସ୍ଥାନରେ ୨୦୨୩ ଡ଼ିସେମ୍ୱର ପ୍ରଥମ ସପ୍ତାହରେ ବିଧାନସଭା ନିର୍ବାଚ଼ନ ଆୟୋଜନ କରିବା କାର୍ଯ୍ୟକ୍ରମ ରହିଛି । ଏହାର ତିନି ସପ୍ତାହ ଆଗରୁ, ଅର୍ଥାତ ନଭେମ୍ୱରରୁ ନିର୍ବାଚ଼ନ ଆଚ଼ରଣ ବିଧି ଲାଗିପାରେ । ଏହି ସମୟ ନିର୍ଘଣ୍ଟକୁ ବିଚାରକୁ ନେଇ ଅଗଷ୍ଟରୁ ଅକ୍ଟୋବର ତିନିମାସ ଯାଏଁ ରାଜସ୍ଥାନର କଂଗ୍ରେସ ସରକାର ରାଜ୍ୟର ଊନ୍ନୟନମୂଳକ କାର୍ଯ୍ୟାବଳୀର ବିଶଦ ବିବରଣୀ ଜନସାଧାରଣଙ୍କ ନିକଟରେ ପହଞ୍ଚୁଇବା ନିମନ୍ତେ ସୋସିଆଲ ମିଡ଼ିଆରେ ବିଜ୍ଞାପନ ପ୍ରକାଶନ ନୀତି ନିର୍ଦ୍ଧାରଣ କରିଛି । ନିର୍ବାଚ଼ନ କମିଶନଙ୍କ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରେ ସରକାରୀ ଖର୍ଚ୍ଚରେ ବିଜ୍ଞାପନ ପ୍ରସାରଣ ନିଷିଦ୍ଧ ହେବ ।

 

ରାଜସ୍ଥାନ ସରକାରଙ୍କ ସୋସିଆଲ ମିଡ଼ିଆ ବିଜ୍ଞାପନ ସର୍ତ୍ତାବଳୀରେ ସାମାଜିକ ଗଣମାଧ୍ୟମ ପ୍ରବକ୍ତା ‘ସୋସିଆଲ ମିଡ଼ିଆ ଇନଫ୍ଳୁଏନସର’ଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଛି । ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମ ଓ ଟୁଇଟର ଇତ୍ୟାଦି ସୋସିଆଲ ମିଡ଼ିଆ ମଞ୍ଚରେ ୧୦ ଲକ୍ଷ ଅନୁଗାମୀ ‘ଫଲୋଏର ବା ସବସ୍କ୍ରାଇବର’ ଥିବା ଇନଫ୍ଳୁଏନସରଙ୍କୁ ପ୍ରଥମ ପର୍ଯ୍ୟାୟ, ପାଞ୍ଚ ଲକ୍ଷ ଅନୁଗାମୀ ବିଶିଷ୍ଟଙ୍କୁ ଦ୍ୱିତୀୟ ପର୍ଯ୍ୟାୟ, ଏକ ଲକ୍ଷ ଅନୁଗାମୀ ବିଶିଷ୍ଟଙ୍କୁ ତୃତୀୟ ପର୍ଯ୍ୟାୟ ଓ ଦଶ ହଜାର ଅନୁଗାମୀ ବିଶିଷ୍ଟଙ୍କୁ ଚ଼ତୁର୍ଥ ପର୍ଯ୍ୟାୟ ରୂପେ ଚ଼ିହ୍ନିତ କରାଯିବ ।

 

ରାଜ୍ୟ ସରକାରଙ୍କ ବିଭିନ୍ନ ଊନ୍ନୟନ କାର୍ଯ୍ୟକ୍ରମ ସଂପର୍କରେ ପ୍ରସ୍ତୁତ ବିଜ୍ଞାପନ ପ୍ରସାର ନିମନ୍ତେ ମାସିକ ପ୍ରଥମ ପର୍ଯ୍ୟାୟ ଇନଫ୍ଳୁଏନସରଙ୍କୁ ପାଞ୍ଚ ଲକ୍ଷ, ଦ୍ୱିତୀୟ ପର୍ଯ୍ୟାୟ ଇନଫ୍ଲୁଏସରଙ୍କୁ ଦୁଇ ଲକ୍ଷ, ତୃତୀୟ ପର୍ଯ୍ୟାୟ ଇନଫ୍ଳୁଏନସରଙ୍କୁ ପଚାଶ ହଜାର ଏବଂ ଚ଼ତୁର୍ଥ ପର୍ଯ୍ୟାୟ ଇନଫ୍ଳୁଏନସରଙ୍କୁ ଦଶ ହଜାର ଟଙ୍କା ଯାଏଁ ପ୍ରଦାନ କରାଯିବା ସ୍ଥିରୀକୃତ ହୋଇଛି । ଏହି ସୁଯୋଗ ଗ୍ରହଣ ନିମନ୍ତେ ସୋସିଆଲ ମିଡ଼ିଆ ଇନଫ୍ଳୁଏନସରମାନେ ବିଧିବଦ୍ଧ ଢଙ୍ଗରେ ସରକାରଙ୍କ ସୂଚ଼ନା ଓ ଲୋକସଂପର୍କ ନିର୍ଦ୍ଦେଶାଳୟ ନିକଟରେ ଆବେଦନ କରିବେ । ସୋସିଆଲ ମିଡ଼ିଆରେ ନିଜ ଦକ୍ଷତା ପ୍ରମାଣିତ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟଭୁକ୍ତ ଇନଫ୍ଳୁଏନସରମାନେ ବିଗତ ଛଅ ମାସ ମଧ୍ୟରେ ୧୦୦ ଭିଡ଼ିଓ ବା ୧୫୦ ପୋଷ୍ଟ ପ୍ରକାଶିତ କରିଥିବା ଆବଶ୍ୟକ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଇନଫ୍ଳୁଏନସରଙ୍କ ଲାଗି ୬୦ ଭିଡ଼ିଓ ବା ୧୦୦ ପୋଷ୍ଟ, ତୃତୀୟ ପର୍ଯ୍ୟାୟ ଲାଗି ୩୦ ଭିଡ଼ିଓ ବା ୫୦ ପୋଷ୍ଟ ଏବଂ ଚ଼ତୁର୍ଥ ପର୍ଯ୍ୟାୟ ଲାଗି ୧୫ ଭିଡ଼ିଓ ବା ୩୦ ପୋଷ୍ଟ ନିର୍ଦ୍ଧାରିତ ହୋଇଛି । ସରକାରୀସ୍ତରରେ ନିଯୁକ୍ତ ଚ଼ୟନ କର୍ତ୍ତାଗଣଙ୍କୁ ପୂର୍ବ ନିର୍ଦ୍ଧାରିତ ସୀମାକୁ ଉଚ଼ିତ କ୍ଷେତ୍ରରେ କୋହଳ କରିବା କ୍ଷମତା ପ୍ରଦାନ କରାଯାଇଛି ।

 

ରାଜସ୍ଥାନ ସରକାରଙ୍କ ବିଧାନସଭା-ପୂର୍ବ ସୋସିଆଲ ମିଡ଼ିଆ ବିଜ୍ଞାପନ ନୀତି ଅନୁଶୀଳନରେ ସାମାଜିକ ପ୍ରଭାବ ଜନିତ କେତେକ ଦିଗ ଚର୍ଚ୍ଚାର ପରିସରକୁ ଆଣିଥାଏ । ପ୍ରଥମତଃ, ବିଗତ ଦଶନ୍ଧିରେ ମୁଦ୍ରଣ ଓ ଟେଲିଭିଜନ କ୍ଷେତ୍ରରେ ମଞ୍ଚ ସଂଖ୍ୟା ବୃଦ୍ଧି, ବ୍ୟୟ ତୁଳନାରେ ଆୟ ହ୍ରାସ ଓ ମାଲିକାନାକୁ କେନ୍ଦ୍ରକରି ବିଶ୍ୱସନୀୟତା ହରାଇ ବସୁଥିବା ଅବସରରେ ସୋସିଆଲ ମିଡ଼ିଆରେ ସ୍ଥାନୀୟ ପ୍ରବକ୍ତା ‘ହାଇପର-ଲୋକାଲ ଇନଫ୍ଲୁଏନସର’ ବିକଳ୍ପ ସାଜିଥିଲେ । ସୋସିଆଲ ମିଡ଼ିଆ କ୍ଷେତ୍ରରେ ମାତ୍ର ଏକରୁ ଦୁଇ ପ୍ରତିଶତ ଇନଫ୍ଳୁଏନସର ପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ କରିପାରୁଥିବା ସ୍ଥଳେ ଅଠାନବେରୁ ଅନେଶ୍ୱତ ପ୍ରତିଶତ ଋଚ଼ି, ବଦାନ୍ୟତା ବା ପ୍ରାୟୋଜନକେନ୍ଦ୍ରୀକ । ଏହି ପରିବେଶରେ ଅର୍ଥ ବିନିମୟରେ ନିଜ ନିଜ ମଞ୍ଚରେ ସରକାରୀ ବିଜ୍ଞାପନ ପ୍ରଦର୍ଶନ ଲୋଭନୀୟ ମନେ ହୋଇପାରେ ।

 

ଦ୍ୱିତୀୟତଃ, ସ୍ୱାଧୀନ ସୋସିଆଲ ମିଡ଼ିଆ ମଞ୍ଚରେ ସରକାରୀ ବିଜ୍ଞାପନ ପ୍ରଦର୍ଶନ ଦ୍ୱାରା ସଂପୃକ୍ତ ମଞ୍ଚଗୁଡ଼ିକର ମୌଳିକତା କ୍ଷୁର୍ଣ୍ଣ ହେବା ଭୟ ରହିବ । ଦୀର୍ଘ କାଳର ପରିଶ୍ରମରେ ଗଢ଼ି ଉଠିଥିବା ଉପଭୋକ୍ତାଙ୍କ ବିଶ୍ୱସନୀୟତା ଉପରେ ଆଞ୍ଚ ଆସିପାରେ । ମୁଖ୍ୟତଃ, ସରକାରୀ ଆଭିମୁଖ୍ୟକୁ ସମର୍ଥନ କରି ମୁଦ୍ରଣ ଓ ଟେଲିଭିଜନ କ୍ଷେତ୍ରରେ ବିଶ୍ୱସନୀୟତା ହ୍ରାସ ମହାମାରୀ-ପର ଅବସ୍ଥାରେ ପାରମ୍ପରିକ ଗଣମାଧ୍ୟମପକ୍ଷରେ ଅମୀମାଂସିତ ସମସ୍ୟା ରୂପେ ମୁଣ୍ଡ ଟେକିଥିବା ସ୍ଥଳେ ବିଜ୍ଞାପନ ମାଧ୍ୟମରେ ସରକାରୀ ପ୍ରୋତ୍ସାହନ ସୋସିଆଲ ମିଡ଼ିଆକୁ ସଂପ୍ରସାରଣରେ ସମ ଦଶା ଆଶା କରିବା ଆଶଙ୍କା ଅମୂଳକ ନୁହେଁ ।

 

ତୃତୀୟତଃ, ନିର୍ବାଚ଼ନକୁ ଦୃଷ୍ଟିରେ ରଖି ମାତ୍ର ତିନିମାସ ଲାଗି ସୋସିଆଲ ମିଡ଼ିଆ ଇନଫ୍ଳୁଏନସରଙ୍କୁ ବିଜ୍ଞାପନ ବିତରଣ ଥରକ ଲାଗି କିଛି ଅର୍ଥ ଉପାର୍ଜନର ଆଶା ଉଜ୍ଜୀବିତ କରୁଥିଲେହେଁ ଦୀର୍ଘ ସୂତ୍ରରେ ହିତକର ସାବ୍ୟସ୍ତ ହୋଇନପାରେ । ରାଜସ୍ଥାନ ସରକାରଙ୍କ ଦ୍ୱାରା ପ୍ରଣୀତ ନିର୍ବାଚନ ପୂର୍ବରୁ ସରକାରୀ ବିଜ୍ଞାପନ ସୋସିଆଲ ମିଡ଼ିଆରେ ପ୍ରସାରଣ ନୀତି ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବା ଯୁକ୍ତିଯୁକ୍ତ । ସାଧାରଣ ନିର୍ବାଚ଼ନ ୨୦୨୪ରେ କେନ୍ଦ୍ର ସରକାର ସମେତ ବିଭିନ୍ନ ରାଜ୍ୟ ସରକାର ସୋସିଆଲ ମିଡ଼ିଆର ସଂପ୍ରସାରଣକୁ ଭିତ୍ତିକରି ମୁଦ୍ରଣ ଓ ଟେଲିଭିଜନ ସହ ସୋସିଆଲ ମିଡ଼ିଆରେ ବିଜ୍ଞାପନ ପ୍ରସାରକୁ ଗୁରୁତ୍ୱ ଦେବା ନିଶ୍ଚିତ । ତେବେ ଏତଦ୍ୱାରା ସରକାର ନା ବିକଳ୍ପ ଗଣମାଧ୍ୟମ, କିଏ କେତେ ଲାଭବାନ ହେବେ ସେଥିଲାଗି ଅଙ୍କକଷାର ସମୟ ଉପନୀତ ।

 

ସାଧାରଣରେ ସୋସିଆଲ ମିଡ଼ିଆ ଇନଫ୍ଳୁଏନସରମାନେ ନିଜସ୍ୱ ମଞ୍ଚରେ ଛୋଟ ବଡ଼ ଅନୁଗାମୀ ସଂଗୋଷ୍ଠୀ ‘କମ୍ୟୁନିଟି’ ଗଠନ କରିଥାନ୍ତି । ଅନୁଗାମୀମାନଙ୍କ ପ୍ରବକ୍ତା ବା ଇନଫ୍ଳୁଏନସରଙ୍କ ସହ ଅନ୍ତରଙ୍ଗ ସଂପର୍କ ସ୍ଥାପନ ହୋଇଥାଏ ଏବଂ ପ୍ରବକ୍ତାଙ୍କ ଦ୍ୱାରା ପ୍ରକାଶିତ ବର୍ଣ୍ଣନାବଳୀକୁ ଗୁରୁତ୍ୱ ପ୍ରଦାନ କରୁଥିବା ପରିଲକ୍ଷିତ । ଏହି ବିଶ୍ୱସନୀୟ ପରିବେଶରେ ସରକାର ବିଜ୍ଞାପନ ପ୍ରସାରଣ ନିମନ୍ତେ ଆଗ୍ରହୀ । ରାଜସ୍ଥାନ ସରକାରଙ୍କ ପକ୍ଷରୁ ଉଦ୍ୟମ ପୂର୍ବରୁ ୨୦୨୩ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ‘ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟ’ ଦ୍ୱାରା ପରିଚାଳିତ ‘ୟୁ-ଗଭ’ ପକ୍ଷରୁ ସୋସିଆଲ ମିଡ଼ିଆ ଇନଫ୍ଳୁଏନସର ମାର୍କେଟିଂ କମ୍ପାନୀଗୁଡ଼ିକୁ ପଞ୍ଜୀକରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

 

‘ଡ଼ିଜିଟାଲ ଇଣ୍ଡିଆ’ ଅଭିଯାନରେ ‘ୟୁ-ଗଭ’ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନାଗୁଡ଼ିକର ପ୍ରଚାର ନିମନ୍ତେ ୨୦୧୪ରୁ ପଦକ୍ଷେପମାନ ଗ୍ରହଣ କରାଯାଇ ଆସୁଛି । ଦେଶର ୨୧ ଗୋଟି ରାଜ୍ୟରେ ଏହାର କାର୍ଯ୍ୟକ୍ରମ ସଂପ୍ରସାରିତ । ସୋସିଆଲ ମିଡ଼ିଆରେ ଇନଫ୍ଳୁଏନସରଙ୍କ ମାଧ୍ୟମରେ ବିଜ୍ଞାପନ ପ୍ରସାରଣ ନିମନ୍ତେ ଆଗ୍ରହୀ ସଂସ୍ଥାମାନଙ୍କ ଆବେଦନ ଗ୍ରହଣ ନିମନ୍ତେ ଚାରିଗୋଟି ପର୍ଯ୍ୟାୟ ସୃଷ୍ଟି କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ବା ତତୁର୍ଦ୍ଧ, ଦ୍ୱିତୀୟ ପର୍ଯ୍ୟାୟରେ ଏକ ଲକ୍ଷରୁ ୧୦ ଲକ୍ଷ, ତୃତୀୟ ପର୍ଯ୍ୟାୟରେ ୧୦ ହଜାରରୁ ଏକ ଲକ୍ଷ ଓ ଚ଼ତୁର୍ଥ ପର୍ଯ୍ୟାୟରେ ଏକ ହଜାରରୁ ୧୦ ହଜାର ଅନୁଗାମୀ ବିଶିଷ୍ଟ ଇନଫ୍ଲୁଏସନରମାନଙ୍କୁ ଚ଼ିହ୍ନଟ କରି ବିଭିନ୍ନ ସଂସ୍ଥା ମାଧ୍ୟମରେ ସରକାରଙ୍କ ପକ୍ଷରୁ ତିନି ବର୍ଷ ଯାଏଁ ବିଜ୍ଞାପନ ବିତରଣ ନିମନ୍ତେ ସ୍ଥିର କରାଯାଇଥିଲା ।

 

ଆନ୍ତର୍ଜାତିକସ୍ତରରେ ଗଣତାନ୍ତ୍ରିକ ନିର୍ବାଚନରେ ସୋସିଆଲ ମିଡ଼ିଆର ପ୍ରଭାବ ଭାରତରେ ୨୦୧୪ ନିର୍ବାଚନରୁ ସୁସ୍ପଷ୍ଟ । ତେବେ ୨୦୨୪ ନିର୍ବାଚନରେ ଅର୍ଦ୍ଧାଧିକ ଭୋଟର ସୋସିଆଲ ମିଡ଼ିଆ ମଞ୍ଚରେ ଦୈନିକ ଭିତ୍ତିରେ ଦୀର୍ଘ ସମୟ ଅତିବାହିତ କରୁଥିବା ଏବଂ ନିଜ ଋଚି ଅନୁଯାୟୀ ପ୍ରବକ୍ତା ଚୟନ କରିଥିବା କାରଣରୁ ନିର୍ବାଚନ ପ୍ରଚାର ପ୍ରଖର ହେବା ସୁନିଶ୍ଚିତ । କ୍ରମଶଃ ସମ୍ୱାଦପତ୍ରରେ ପ୍ରକାଶିତ ଅଭିମତ ଓ ଟେଲିଭିଜନ କାର୍ଯ୍ୟକ୍ରମକୁ ଉପଭୋକ୍ତାମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଆହରଣ କରିବା ଅଭ୍ୟାସ ବୃଦ୍ଧି ପାଉଥିବା ହେତୁ ଏହା ଏକକ ଗଣମାଧ୍ୟମ ରୂପେ ପ୍ରଭାବ ବିସ୍ତାର କରିଚାଲିଛି । ଏକ ବିକଳ୍ପ ମଞ୍ଚ ଭାବେ ଗଢ଼ି ଉଠିଥିବା ବ୍ୟବସ୍ଥାରେ ଉଭୟ ପାରମ୍ପରିକ ଗଣମାଧ୍ୟମ ଓ ସରକାରଙ୍କ ପ୍ରବେଶ ସୋସିଆଲ ମିଡ଼ିଆକୁ ଉପଭୋକ୍ତାଙ୍କ ଗ୍ରହଣୀୟତାକୁ କେଉଁ ଦିଗରେ ନେବ ତାହା ଭବିଷ୍ୟତ  କହିବ ।                     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁଲାଇ ୨୦୨୩


ତଥ୍ୟ:

 

Mohan, Archis. ‘Influencers’ hog limelight in poll season. Business Standard (Bhubaneswar Edition). June 30, 2023

 

Request for Empanelment (RFE) for selection of Influencer Marketing Agencies for Empanelment with MyGov

 

https://eprocure.gov.in 

‘ଡ଼ିପଫେକ’ କବଳରେ ୨୦୨୪ ନିର୍ବାଚ଼ନ 

‘ଫେକ ନିଉଜ’କୁ ‘ଅସତ୍ୟ ସମ୍ୱାଦ’ କୁହାଗଲେ ‘ଡ଼ିପଫେକ’କୁ ‘ଅସତ୍ୟ ଦୃଶ୍ୟ’ ନାମିତ କରାଯାଇପାରେ । ‘ଡ଼ିପଫେକ’ ବୈଷୟିକ କୌଶଳ ମାଧ୍ୟମରେ କୌଣସି ଭିଡ଼ିଓର ମୌଳିକ ଦୃଶ୍ୟ ଓ ଶ୍ରାବ୍ୟ ‘ଭିଡ଼ିଓ’ ଓ ‘ଅଡ଼ିଓ’ ଉପାଦାନ ‘କଣ୍ଟେଣ୍ଟ’ ପରିବର୍ତ୍ତିତ କରି ନକଲ ପ୍ରସ୍ତୁତିକୁ ବୁଝାଏ । ‘ଡିପଫେକ’ ଭିଡ଼ିଓ ମେସିନ ଲର୍ଣ୍ଣିଂ ଓ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ଜଟିଳ ସୂତ୍ରାବଳୀ ଉପଯୋଗ ଆବଶ୍ୟକ କରେ । ତେବେ ଏହି ଭଳି ସଫଟୱେର ସହଜରେ ଓ ମାଗଣାରେ ଡ଼େସ୍କଟପ ଓ ସ୍ମାର୍ଟଫୋନ ଆପ ଆକାରରେ ଜାନୁୟାରୀ ୨୦୧୮ରୁ ସର୍ବସାଧାରଣରେ ଉପଲବ୍ଧ ହେବାରେ ଲାଗିଲା । ନଭେମ୍ୱର ୨୦୨୨ରେ ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ଲୋକାର୍ପଣ ଏହି ଦିଗରେ ପ୍ରଶସ୍ତ କ୍ଷେତ୍ର ସୃଷ୍ଟି କଲା । ଫଳରେ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ୨୦୨୩ ଶେଷ ସୁଦ୍ଧା ବିଶ୍ୱବ୍ୟାପୀ ‘ଡିପଫେକ’ ଭିଡିଓ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଲା ।

 

ଫୋଟଗ୍ରାଫି ଓ ସିନେମା କଳାକୌଶଳ ଉଦ୍ଭାବନ ପରେ ପରେ ଅସଲି ଚ଼ିତ୍ରରେ ନକଲି ଖଞ୍ଜିବା ଆରମ୍ଭ ହୋଇଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ପରିବେଶରେ ଡ଼ିଜିଟାଲ ଭିଡ଼ିଓ ପ୍ରଚଳନ ପରେ ଏହି କ୍ଷେତ୍ରରେ ବ୍ୟାପକ ଅଗ୍ରଗତି ଘଟିଥିଲା । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ମେସିନ ଲର୍ଣ୍ଣିଂ ଓ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ପରୀକ୍ଷା ନିରୀକ୍ଷା କରିବା ନିମନ୍ତେ ବୈଷୟିକ କୌଶଳ ସହଜରେ ଉପଲବ୍ଧ ହେବାପରେ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅବସ୍ଥାପିତ ଗବେଷକମାନେ ସଂପୃକ୍ତ ହୋଇଥିଲେ । ସୋସିଆଲ ମିଡ଼ିଆ ‘ରେଡ଼ିଟ’ରେ ୨୦୧୭ରେ ‘ଡ଼ିପଫେକ୍ସ’ ନାମକ ଏକ ଶୃଙ୍ଖଳ ସୃଷ୍ଟି କରାଯାଇଥିଲା । ଏହି ଅନଲାଇନ ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ ଗବେଷକମାନେ ମଞ୍ଚରେ ନିଜେ ପ୍ରସ୍ତୁତ କରିଥିବା ‘ଡିପଫେକ’ ଭିଡ଼ିଓ କ୍ଳିପଗୁଡ଼ିକ ପୋଷ୍ଟ କରୁଥିଲେ । ତେବେ ଏହା ଅଧ୍ୟୟନକେନ୍ଦ୍ରୀକ ଥିବା ହେତୁ ଅନ୍ୟମାନଙ୍କ ନଜରକୁ ଆସୁନଥିଲା କିମ୍ୱା ଉପାଦାନ ସଂପର୍କରେ ପ୍ରଶ୍ନ ଉଠୁନଥିଲା ।

 

ପ୍ରାଥମିକସ୍ତରରେ ମୁଖ୍ୟତଃ ‘ଡିପଫେକ’ ଭିଡ଼ିଓଗୁଡ଼ିକ ଅନଲାଇନରେ ଉପଲବ୍ଧ ଅର୍ଦ୍ଧ ନଗ୍ନ ବା ନଗ୍ନ ଶରୀରରେ ଖ୍ୟାତନାମା ଚଳଚ଼ିତ୍ର ଅଭିନେତ୍ରୀ ଓ ଅଭିନେତାଙ୍କ ମୁଖମଣ୍ଡଳର ଚ଼ିତ୍ର ଯୋଡ଼ାଯାଉଥିଲା । ଦ୍ୱିତୀୟସ୍ତରରେ ଭିଡ଼ିଓରେ କଥାବାର୍ତ୍ତା ପରିବର୍ତ୍ତନ କରିବା ସାମର୍ଥ୍ୟ ମିଳିଲା । ଫଳରେ ଅସଲି ଭିଡ଼ିଓକୁ ନକଲିରେ ପରିବର୍ତ୍ତିତ କଲେ ଦର୍ଶକଙ୍କ ପାଇଁ ଉଭୟ ଦୃଶ୍ୟ ଓ ଶ୍ରାବ୍ୟ ପ୍ରମାଣରେ ସତ୍ୟ ପ୍ରତୀୟମାନ ହେଲା । ତେବେ ତୃତୀୟସ୍ତରରେ ଏହି ବୈଷୟିକ କୌଶଳ ଉପଯୋଗରେ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ ହୋଇଗଲା । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଚ଼ିତ୍ର ନକଲ କରି ଯୌନାଚାର ଦୃଶ୍ୟ, ପ୍ରତିହିଂସା ଉଦ୍ଦେଶ୍ୟରେ ଅପରକୁ ନିନ୍ଦିତ କରିବାଲାଗି ପ୍ରଚେଷ୍ଟା, ଅସତ୍ୟ, ଗୁଜବ ଓ ଅତିରଞ୍ଜିତ ସମ୍ୱାଦ ପ୍ରସାର, ଅପବାଦ ଓ ଅର୍ଥନୀତିକ ଅପରାଧ ଲାଗି ‘ଡିପଫେକ’ ଭିଡ଼ିଓ ବ୍ୟବହୃତ ହେଲା । ଚ଼ତୁର୍ଥସ୍ତରରେ ଗଣତାନ୍ତ୍ରିକ ନିର୍ବାଚ଼ନ ପ୍ରକ୍ରିୟାରେ ‘ଡିପଫେକ’ ଭିଡ଼ିଓ ଉପଯୋଗ ରାଜନୀତିକସ୍ତରରେ ଚ଼ିନ୍ତାର କାରଣ ପାଲଟିଛି ।

 

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚ଼ନ ୨୦୨୦ରେ ‘ଡିପଫେକ’ ଭିଡିଓ ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରିଟେନ, ଆର୍ଜେଣ୍ଟିନା, ସୋଲଭିକିଆ, ଦକ୍ଷିଣ କୋରିଆ ପ୍ରଭୃତି ରାଷ୍ଟ୍ରରେ ନିର୍ବାଚ଼ନରେ ପ୍ରାଦୁର୍ଭାବ ଅନୁଭୂତ ହୋଇଥିଲା । ଭାରତରେ ୨୦୨୩ରେ ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ଅମିତାଭ ବଚ୍ଚନ ‘କୌନ ବନେଗା କରୋଡ଼ପତି’ ମଞ୍ଚରୁ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ ଅଭିହିତ କରି କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସପକ୍ଷରେ ମନ୍ତବ୍ୟ ରଖିଥିବା ‘ଡିପଫେକ’ ଭିଡ଼ିଓକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେପି ପକ୍ଷରୁ ନିର୍ବାଚନ କମିଶନ ଓ ପୋଲିସଠାରେ ଏଥିନେଇ ଅଭିଯୋଗ ଦାୟର ହୋଇଥିଲା ।

 

ଠିକ ସେହି ସମୟରେ ବଲିଉଡ଼ ଚଳଚ଼ିତ୍ର ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ ଓ କାଜଲଙ୍କୁ ନେଇ ପ୍ରସ୍ତୁତ ନଗ୍ନ ‘ଡିପଫେକ’ ଭିଡ଼ିଓ ଭାଇରାଲ ହେବାପରେ ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କଲା । ବିଶେଷଜ୍ଞମାନେ ଭାରତରେ ‘ଡିପଫେକ’ ଭିଡ଼ିଓ ପ୍ରଚଳନ ଦୃତଗତିରେ ବୃଦ୍ଧି ପାଇବ ବୋଲି ସତର୍କ କରାଇଦେଇଛନ୍ତି । ଏଥିନେଇ ପ୍ରଦ୍ୟୋଗୀକି ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଦେଶରେ ୨୦୨୩ ଓ ୨୦୨୪ରେ ସାଧାରଣ ନିର୍ବାଚନ ସଙ୍ଗେ ବହୁ ରାଜ୍ୟରେ ବିଧାନସଭା ନିର୍ବାଚନ ଆୟୋଜନ ପଞ୍ଜିକା ଥିବା ହେତୁ ରାଜନୀତିକସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଛି । ‘ଡିପଫେକ’ କବଳରେ ଭାରତୀୟ ନିର୍ବାଚନ ସଂପର୍କରେ ବିଚାରବିମର୍ଷ କଲାବେଳେ କେତେକ ଦିଗ ଗୁରୁତ୍ୱ ବହନ କରିଥାଏ ।

 

ପ୍ରଥମତଃ, ଭାରତରେ ଇଣ୍ଟରନେଟ ସଂଯୁକ୍ତ ଜନସଂଖ୍ୟା ମାର୍ଚ୍ଚ ୨୦୨୩ ସୁଦ୍ଧା ୮୫ କୋଟିରେ ପହଞ୍ଚିଥିବା ସରକାରୀ ହିସାବରୁ ଜଣାଯାଏ । ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଅନଲାଇନରେ ସମ୍ୱାଦ ଆହରଣ କରୁଥିବା କାନ୍ତାର-ଗୁଗୁଲ ଆକଳନ ଜନସାଧାରଣଙ୍କ ରାଜନୀତିକ ଦୃଷ୍ଟିଭଙ୍ଗୀ ପ୍ରସ୍ତୁତିରେ ଅନଲାଇନ ବିଭବର ପ୍ରାଧାନ୍ୟ ଦାବୀ କରେ । ଅତଏବ ଅନଲାଇନ ସମ୍ୱାଦ ବିତରଣରେ ‘ଡିପଫେକ’ ନିର୍ବାଚନ ପ୍ରଚାରକୁ ପ୍ରଭାବିତ କରିବା ଆଶଙ୍କା ଅମୂଳକ ନୁହେଁ ।

 

ଦ୍ୱିତୀୟତଃ, ଅତୀତରେ ‘ଡ଼ିପଫେକ’ ଭିଡ଼ିଓ ପ୍ରସ୍ତୁତ କରିବା ନିମନ୍ତେ ଚ଼ରିତ୍ରଗୁଡ଼ିକ ସଂପର୍କରେ ବହୁ ସଂଖ୍ୟାରେ ଡ଼ାଟା ଆବଶ୍ୟକ ପଡୁଥିଲା । କିନ୍ତୁ ବର୍ତ୍ତମାନ ମାତ୍ର ମିନଟ କିମ୍ୱା ଦୁଇ ମିନଟର ଡାଟାରେ କ୍ଳୋନିଂ ପ୍ରସ୍ତୁତି ସଂଭବ ହୋଇପାରୁଛି । ଏଥି ନିମନ୍ତେ ସଫଟୱେର ସହଜରେ ସମସ୍ତଙ୍କୁ ମିଳିପାରୁଛି । ଯେ କେହି ଅଭ୍ୟାସ କରି ‘ଡ଼ିପଫେକ’ ଭିଡ଼ିଓ ପ୍ରସ୍ତୁତିରେ ଦକ୍ଷତା ହାସଲ କରିପାରିବ । ଏହି ସବୁ କାରଣରୁ ଭବିଷ୍ୟତରେ ଅଧିକ ‘ଡିପଫେକ’ ଭିଡ଼ିଓ ପ୍ରସ୍ତୁତ ହେବା ସୁସ୍ପଷ୍ଟ ।

 

ତୃତୀୟତଃ, ଆମ ଦେଶରେ ଇଣ୍ଟରନେଟ ସଂଯୁକ୍ତି ବଢ଼ିଚାଲିଥିବା ଅବସରରେ ଇଣ୍ଟରନେଟ ବ୍ୟବହାର ଡ଼ାଟା ଦର ଆନ୍ତର୍ଜାତିକସ୍ତରରେ ପ୍ରାୟତଃ ସର୍ବନିମ୍ନସ୍ତରରେ ରହିଆସିଛି । ଫଳରେ ଭିଡ଼ିଓ ଉପଭୋଗ ସୁଗମ ହୋଇପାରିଥିବା ସ୍ଥଳେ ଅଧିକ ସଂଖ୍ୟାରେ ଡ଼ାଉନଲୋଡ଼ ଓ ସେୟାର ମଧ୍ୟ ସଂଭବ ହୋଇପାରୁଛି । ଏହି ପରିବେଶ ‘ଡିପଫେକ’ ଭିଡିଓ ଭାଇରାଲ ହେବାରେ ସହାୟକ ।

 

ଚ଼ତୁର୍ଥତଃ, ‘ଡିପଫେକ’ ଭିଡ଼ିଓରେ ରାଜନୀତିକ ବ୍ୟବହାର ବିଷୟରେ ଆଲୋଚ଼ନା କଲାବେଳେ ଏହାର ପ୍ରଯୋଜନା ଇତିହାସରେ ଆମୂଳଚୁଳ ପରିବର୍ତ୍ତନ ଦୃଷ୍ଟିକୁ ଆସିଥାଏ । ଅତୀତରେ ‘ଡିପଫେକ’ ଭିଡ଼ିଓ ପ୍ରସ୍ତୁତି ଖର୍ଚ୍ଚବହୁଳ ଥିବା ଏବଂ କେବଳ ଜାତୀୟସ୍ତରରେ ବହୁ ଅର୍ଥ ଠୁଳ କରିପାରିଥିବା ରାଜନୀତିକ ଦଳଗୁଡ଼ିକ ପକ୍ଷେ ପ୍ରସ୍ତୁତି ସଂଭବ ଥିଲା । କିନ୍ତୁ ୨୦୨୩ ସୁଦ୍ଧା ଏହି ବୈଷୟିକ କୌଶଳ ବ୍ୟବହାର ସାର୍ବଜନୀନସ୍ତରରେ ଉପଲବ୍ଧ ଥିବା, ଏପରିକି ଗ୍ରାମପଞ୍ଚାୟତସ୍ତରରେ ପ୍ରସ୍ତୁତି ଓ ପ୍ରସାର ସଂଭବ । ତେଣୁ ୨୦୨୪ ନିର୍ବାଚନ ପ୍ରଚାରରେ ‘ଡିପଫେକ’ ଭିଡ଼ିଓର ପ୍ରଭାବ ଆକଳନ ଅସ୍ପଷ୍ଟ ।

 

ପଞ୍ଚମତଃ, ଭାରତରେ ଇଣ୍ଟରନେଟ ସଂଯୁକ୍ତଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ସୋସିଆଲ ମିଡ଼ିଆରେ ଉପସ୍ଥିତ ଥିବା, ମୁଖ୍ୟତଃ ଭିଡିଓ ଆହରଣ କରୁଥିବା ଏବଂ ବିଭିନ୍ନ ଭାରତୀୟ ଭାଷାଭାଷୀ ଉପଭୋକ୍ତାଙ୍କୁ ଭାଇରାଲ ‘ଡିପଫେକ’ ଭିଡ଼ିଓ କ୍ଷେତ୍ରରେ ସଂଭାଳିବା ସହଜ କଥା ନୁହେଁ । ସୋସିଆଲ ମିଡ଼ିଆରେ ପ୍ରସାର ଖୁବ କମ ସମୟରେ କୌଣସି ଭିଡ଼ିଓକୁ ଭାଇରାଲ କରିପକାଏ । ଆମ ଦେଶର ଆଇନକାନୁନ ସଶକ୍ତ । କିନ୍ତୁ ‘ଡିପଫେକ’ ଭିଡ଼ିଓଟିଏ ଠାବ କରି ତାହା ହଟାଇବା ପାଇଁ ସୋସିଆଲ ମିଡ଼ିଆ ମଞ୍ଚକୁ ଜନସାଧାରଣ ଅନୁରୋଧ ବା ସରକାର ନିର୍ଦ୍ଦେଶ ଦେବା ଆଗରୁ ବିଶାଳ ଜନସଂଖ୍ୟାଙ୍କଠାରେ ପହଞ୍ଚିସାରିଥିବ । ‘ଡିପଫେକ’ ଭିଡ଼ିଓ ସ୍ୱୟଂକ୍ରିୟ ବା ଆପେ ଆପେ ଚ଼ିହ୍ନଟ କରାଯାଇପାରିବା ବୈଷୟିକ କୌଶଳ ବାସ୍ତବ କ୍ଷେତ୍ରରେ ଉପଯୋଗ ପ୍ରାୟତଃ ଅସଂଭବ ମନେହୁଏ ।

 

‘ଡ଼ିପଫେକ’ ଭିଡ଼ିଓ ପ୍ରସାରଲାଭ କରିବା ବିଗତ ପାଞ୍ଚ ବର୍ଷର ଇତିହାସରୁ ଜଣାଯାଏ ଯେ ଏହି ବୈଷୟିକ କୌଶଳ ବିକାଶ ପ୍ରତି ବର୍ଷକ ମଧ୍ୟରେ ଦ୍ୱିଗଣିତ ହେବାରେ ଲାଗିଛି । ସେହିପରି ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏତାଦୃଶ ଜଟିଳ ପରିବେଶରେ ‘ଡ଼ିପଫେକ’ ଭିଡ଼ିଓ ପ୍ରସ୍ତୁତି ଓ ପ୍ରସାରଣକୁ ରୋକିବା ନିମନ୍ତେ ଆନ୍ତର୍ଜାତିକସ୍ତରରେ ବିଭିନ୍ନ ରାଷ୍ଟ୍ର ଆଇନ ପ୍ରଣୟନ ଦିଗରେ ତତ୍ପର । ୟୁରୋପୀୟ ରାଷ୍ଟ୍ରପୁଞ୍ଜ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୨୩ ଶେଷ ସୁଦ୍ଧା ପ୍ରାଥମିକ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରକାଶ । ଭାରତରେ ଇନଫରମେସନ ଟେକନୋଲଜି ରୁଲସ ୨୦୨୧ ଅନୁଯାୟୀ କୌଣସି ଆପତ୍ତିଜନକ ଉପାଦାନ ଠାବ ହେଲେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ଅଭିଯୋଗ କିମ୍ୱା ନିର୍ଦ୍ଦେଶ ପାଇବାର ୩୬ ଘଣ୍ଟା ମଧ୍ୟରେ ହଟାଇବା ନିମନ୍ତେ ବାଧ୍ୟ । କିନ୍ତୁ ଏହି ୩୬ ଘଣ୍ଟାର ମହଲତ ଆଧୁନିକ ଅନଲାଇନ ପରିବେଶରେ ସୁଦୀର୍ଘ ମନେହୁଏ । ଏହି ସମସ୍ୟାର କିପରି ସମାଧାନ କରାଯାଇପାରିବ ତାହା ଏକ ଅସମାହିତ ପ୍ରଶ୍ନ ।

 

‘ଡ଼ିପଫେକ’ ଭିଡ଼ିଓ ସାଧାରଣରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଉପଭୋକ୍ତାଙ୍କ ଭୂମିକା ମୁଖ୍ୟ ସ୍ଥାନ ଅଧିକାର କରିଥାଏ । ଗବେଷଣାରୁ ଜଣାଯାଏ ଯେ ଅଧିକାଂଶ କ୍ଷେତ୍ରରେ ଅନଲାଇନ ଶିଷ୍ଟାଚାର ସଂପର୍କରେ ଅଜ୍ଞତା ଓ କୌତୁହଳ କାରଣରୁ ଭିଡ଼ିଓ ସେୟାର ହୋଇଥାଏ । ବିଶେଷଜ୍ଞମାନେ କହିଆସୁଛନ୍ତି ଯେ ଗଣମାଧ୍ୟମ ସାକ୍ଷରତା, ଅର୍ଥାତ ଉପଭୋକ୍ତାଙ୍କୁ ଗଣମାଧ୍ୟମର ପ୍ରଭାବ ତଥା ଉଚିତ ଓ ଅନୁଚିତ ବ୍ୟବହାର ସଂପର୍କରେ ସତର୍କ କରାଗଲେ ସୁଫଳ ମିଳିବ । ବିଶେଷଜ୍ଞଙ୍କ ମତରେ ଯେତେ ଅଧିକ ସଂଖ୍ୟକ ସୋସିଆଲ ମିଡ଼ିଆ ଉପଭୋକ୍ତା ଅସତ୍ୟ ସମ୍ୱାଦ ଗଣତାନ୍ତ୍ରିକ ଶାସନରେ କିପରି କୁପ୍ରଭାବ ପକାଉଛି ବିଷୟରେ ଅବଗତ ହେବେ, ସେହି ସଂଖ୍ୟାରେ ‘ଡିପଫେକ’ ଭିଡ଼ିଓର ବ୍ୟବହାର ହ୍ରାସ ପାଇବ ।

 

ଆମ ଦେଶରେ ନଭେମ୍ୱର ୨୦୨୩ ମଧ୍ୟ ପ୍ରଦେଶ ଘଟଣାପରେ ପ୍ରଧାନମନ୍ତ୍ରୀ ଗଣମାଧ୍ୟମ ସାକ୍ଷରତା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଏଦିଗରେ ସମୁଚିତ ପଦକ୍ଷେପ ଜରୁରୀ । ଆଞ୍ଚଳିକସ୍ତରରେ ଗଣମାଧ୍ୟମ ସାକ୍ଷରତା ପ୍ରସାର ଦିଗରେ ଦେଶର ସାମ୍ୱାଦିକତା ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ । ଏଦିଗରେ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିଶନ ସାମାନ୍ୟ ଅନୁଦାନ ସହ ଏକ ମଡ଼େଲ ସମଗ୍ର ଦେଶରେ କାର୍ଯ୍ୟକାରୀ କରିପାରିବେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକୁ ନ୍ୟାସନାଲ ସର୍ଭିସ ସ୍କିମ ‘ଏନଏସଏସ’ ମାଧ୍ୟମରେ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇପାରିବ ଏବଂ ୨୦୨୪ ନିର୍ବାଚନ ପୂର୍ବରୁ ସାମାଜିକ ଗଣମାଧ୍ୟମ ଶିଷ୍ଟାଚାର ସାଙ୍ଗକୁ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ସଂପର୍କରେ ଦେଶର ଏକାଂଶକୁ ସଚ଼େତନ କରାଯାଇପାରିବ ।                      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୪ ନଭେମ୍ୱର ୨୦୨୩


ତଥ୍ୟ:

 

Interview with Hany Farid by Ketaki Desai. Deepfakes are eroding trust. How as we even know if a real video is real ? Sunday Times of India (Bhubaneswar Edition). November 19, 2023

 

Mishra, Bhavini. Quick redress key weapon in battle against deepfakes. Business Standard. (Bhubaneswar Edition). November 18, 2023 

ସାମାଜିକ ଗଣମାଧ୍ୟମରେ ନୂତନ ଅଧ୍ୟାୟ

ପ୍ରମୁଖ ସାମାଜିକ ଗଣମାଧ୍ୟମ ମଞ୍ଚ ଫେସବୁକ ଆୟୋଜକ ମେଟା ଓ ଟୁଇଟର ପକ୍ଷରୁ ବ୍ୟାବସାୟିକ ଆୟହାନୀ ଘୋଷଣା ଏବଂ ଖର୍ଚ୍ଚକାଟ ଉଦ୍ଦେଶ୍ୟରେ କର୍ମଚାରୀ ଛଟେଇ ୨୦୨୨ ନଭେମ୍ୱର ପ୍ରଥମାର୍ଦ୍ଧରେ ବିରୋଧାଭାସ ସୃଷ୍ଟି କରିଥିଲା । ଫେସବୁକ ୨୦୦୪ ଏବଂ ଟୁଇଟର ୨୦୦୬ରେ ଜନ୍ମ ନେବା ପରଠୁ ଆନ୍ତର୍ଜାତିକସ୍ତରରେ ଗଣଯୋଗାଯୋଗ କ୍ଷେତ୍ରରେ ପ୍ରଭୁତ୍ୱ ବିସ୍ତାର କରିଚାଲିଥିବା ସ୍ଥଳେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସମ୍ମୁଖୀନ ହୋଇଥିବା ଦୁର୍ଦ୍ଦଶା ଯେ କ୍ରମବିକଶିତ ଡ଼ିଜିଟାଲ ମଞ୍ଚରେ ମଧ୍ୟ ପ୍ରତିଫଳିତ ହେବ, ଏକଥା ସମୀକ୍ଷକମାନେ ସହଜରେ ଗ୍ରହଣ କରିପାରି ନଥିଲେ ।

 

ମୁଦ୍ରିତ ସମ୍ୱାଦ ମଞ୍ଚ ବିଜ୍ଞାପନ ରାଜସ୍ୱ ଆୟକୁ ନିଜ ବ୍ୟବସାୟର ମୁଖ୍ୟ ସାଧନ ଭାବେ ଗ୍ରହଣ କରିଆସିଥିଲା । ପ୍ରଥମ ବିଶ୍ୱଯୁଦ୍ଧପରେ ରେଡ଼ିଓ, ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ଟେଲିଭିଜନ ଏବଂ ବିଂଶ ଶତାଦ୍ଦୀ ଶେଷ ଦଶକରେ ଡ଼ିଜିଟାଲ ମଞ୍ଚର ପ୍ରସାର ମଧ୍ୟ ଅନୁରୂପ ଧାରାରେ ଅଭ୍ୟସ୍ତ ହୋଇପଡ଼ିଥିଲେ । ଏକବିଂଶ ଶତାଦ୍ଦୀ ଆରମ୍ଭରୁ ମୁଦ୍ରଣ, ରେଡ଼ିଓ ଓ ଟେଲିଭିଜନ ମଞ୍ଚଗୁଡ଼ିକରୁ ବିଜ୍ଞାପନ ରାଜସ୍ୱ କ୍ରମଶଃ ଡ଼ିଜିଟାଲ ମଞ୍ଚକୁ ସ୍ଥାନାନ୍ତରିତ ହୋଇଥିଲା । ସେଥିମଧ୍ୟରୁ ଫେସବୁକ ସିଂହଭାଗ ଦାବୀ କରୁଥିଲା । କିନ୍ତୁ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ ବେଳକୁ ଫେସବୁକ ବିଜ୍ଞାପନ ଆୟ ହରାଇବା ଗଣମାଧ୍ୟମ ପରିବେଶରେ ନୂତନ ସମୀକରଣର ଆଭାସ ଦେଇଥିଲା ।

 

ସାମାଜିକ ଗଣମାଧ୍ୟମର ଦୁଇ ବୃହତ ମଞ୍ଚ ଫେସବୁକ ଓ ଟୁଇଟରରେ ବିଜ୍ଞାପନ ରାଜସ୍ୱ ହ୍ରାସର କେତେଗୋଟି ମୁଖ୍ୟ କାରଣ ମଧ୍ୟରେ ‘ନ୍ୟୂ-ନରମାଲ’ଜନିତ ଆର୍ଥିକ ମାନ୍ଦାବସ୍ଥା ପ୍ରଧାନ । ୨୦୨୨ ସୁଦ୍ଧା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଉଥିବା ସ୍ଥଳେ ୨୦୨୩ରେ ୟୁରୋପ ଓ ବ୍ରିଟେନରେ ମାନ୍ଦାବସ୍ଥା ଘନେଇବା ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି । ଅର୍ଥାତ, ବିଶ୍ୱବ୍ୟାପୀ ବିଜ୍ଞାପନ ବ୍ୟୟ ହ୍ରାସ ସୁନିଶ୍ଚିତ । ଦ୍ୱିତୀୟତଃ, ଫେସବୁକ ଓ ଟୁଇଟର ଭଳି ମଞ୍ଚରୁ ଶିଶୁ, କିଶୋର ଓ ଯୁବବର୍ଗ ଉପଭୋକ୍ତାଙ୍କ ସଂଖ୍ୟା ଅପସାରଣ ମହାମାରୀ-ପୂର୍ବାବସ୍ଥାରୁ ଲାଗି ରହିଥିଲା । ସେମାନେ ପାଠ୍ୟ-ପ୍ରଧାନ ‘ଟେକ୍ସଟ-ବେସଡ଼’ ମଞ୍ଚ ଗୁଡ଼ିକରୁ ଦୃଶ୍ୟ-ପ୍ରଧାନ ‘ଭିଡ଼ିଓ-ବେସଡ଼’ ମଞ୍ଚଗୁଡ଼ିକ ପ୍ରତି ଆକର୍ଷିତ ହେବାରେ ଲାଗିଥିଲେ । ଉଦାହରଣରେ ଯୁକ୍ତରାଷ୍ଟ୍ରରେ ଇନଷ୍ଟାଗ୍ରାମ ଓ ଟିକଟକର ଯୁବ ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ।

 

ତୃତୀୟରେ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ସମ୍ୱାଦ-ବିମୁଖ ମନୋଭାବ, ବିଶ୍ୱସନୀୟତା ହାନୀ, ପକ୍ଷପାତିତା, ସୂଚ଼ନା ପ୍ରାବଲ୍ୟ ଓ ସୂଚ଼ନା-ପ୍ରଦୂଷଣ ଭଳି ସମ୍ପାଦକୀୟ ସମସ୍ୟାମାନ ସାମାଜିକ ଗଣମାଧ୍ୟମର ଗୁଣାତ୍ମକ ଅବକ୍ଷୟର କାରଣ ପାଲଟିଛି । ଏକପକ୍ଷରେ ଅସୁସ୍ଥ ପରମ୍ପରା ଉପଭୋକ୍ତାଙ୍କୁ ନିର୍ଦ୍ଦିଷ୍ଟ ମଞ୍ଚରେ ଦୀର୍ଘକାଳ ଧରି ବାନ୍ଧି ରଖିବାରେ ଅସମର୍ଥ ହେବା ନିଶ୍ଚିତ ଥିବା ସ୍ଥଳେ ଉପଭୋକ୍ତାଙ୍କ ରୁଚ଼ି, ଆଚ଼ରଣ ଓ ସାମର୍ଥ୍ୟକୁ ଭିତ୍ତିକରି ଗଢ଼ିଉଠୁଥିବା ସାମାଜିକ ଗଣମାଧ୍ୟମର ଦ୍ୱିତୀୟ ପିଢ଼ିର ମଞ୍ଚଗୁଡ଼ିକ ଉପଭୋକ୍ତାଙ୍କୁ ଆକର୍ଷିତ କରିବାରେ ଲାଗିଛି । ଫଳରେ ସାମାଜିକ ଗଣମାଧ୍ୟମରେ ଏକ ରକମ ରୂପାନ୍ତର ପ୍ରକ୍ରିୟା ୨୦୨୨ରେ ଚ଼ିହ୍ନଟ କରାଯାଇଛି ।

 

ଆଧୁନିକ ପ୍ରଯୁକ୍ତି କୌଶଳ ଉଦ୍ଭାବନ ଯୋଗାଯୋଗ କ୍ଷେତ୍ରରେ କାନ୍ତିକାରୀ ପରିବର୍ତ୍ତନ ସମ୍ଭବ କରିଛି । ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ସୁବିଧା ସୁଯୋଗ ବିଶ୍ୱବ୍ୟାପୀ ବୃହତ୍ତର ଜନସଂଖ୍ୟାଙ୍କ ହାତପାଆନ୍ତାରେ ଉପଲବ୍ଧ । ଯୋଗାଯୋଗ ବିପ୍ଳବରେ ଶିକ୍ଷିତ ଅଶିକ୍ଷିତ, ଧନୀ ଦରିଦ୍ର ସଭିଏଁ ସାମିଲ ହେବାର ସୁଯୋଗ ସୃଷ୍ଟି ହୋଇପାରିଛି । କୁହାଯାଉଛି ଯେ, ସୂଚନା, ତଥ୍ୟ ଓ ଅନୁଭୂତି ବିନିମୟରେ ଉପଭୋକ୍ତା ସର୍ବଦା ଅପେକ୍ଷାକୃତ କ୍ଷୀପ୍ର ‘ଫାଷ୍ଟର’ ଓ ସହଜ-ସରଳ ‘ଇଜିୟର’ ପଦ୍ଧତି ପ୍ରତି ଆଗ୍ରହ ପ୍ରକାଶ କରିଥାଏ । ଏହି କାରଣରୁ ସାମାଜିକ ଗଣମାଧ୍ୟମରେ ‘ଭିଡ଼ିଓ’ ସମ୍ୱଳିତ ମଞ୍ଚର ଚାହିଦା ବଢ଼ିଛି ଏବଂ ଉପଭୋକ୍ତାମାନେ କ୍ରମଶଃ ସ୍ଥାନାନ୍ତରିତ ହେଉଛନ୍ତି । ଅପରପକ୍ଷେ ପାଠ୍ୟ ‘ଟେକ୍ସଟ’ କିମ୍ୱା ଶ୍ରାବ୍ୟ ‘ଅଡ଼ିଓ’ ତୁଳନାରେ ଦୃଶ୍ୟ ‘ଭିଡ଼ିଓ’ ଅଧିକ ସୂଚନା ବିନିମୟରେ ସକ୍ଷମ । କେତେକଙ୍କ ମତରେ ଆଧୁନିକ ଭିଡ଼ିଓ ପ୍ରଧାନ ମଞ୍ଚଗୁଡ଼ିକ ପାରମ୍ପରିକ ଗଣମାଧ୍ୟମ ମଞ୍ଚର ଭୂମିକାକୁ ଗୌଣ କରିପକାଉଛି ।

 

ସାମାଜିକ ଗଣମାଧ୍ୟମ ବା ‘ସୋସିଆଲ ମିଡ଼ିଆ’ ପ୍ରଥମତଃ ‘ସୋସିଆଲ ନେଟୱାର୍କ’ ଭାବେ ବିକଶିତ ହୋଇଥିଲା । ‘ସୋସିଆଲ ନେଟୱାର୍କ’ରେ ଜଣେ ଉପଭୋକ୍ତା ମୁଖ୍ୟତଃ ନିଜ ପୂର୍ବ ପରିଚ଼ିତଙ୍କ ସହ ଯୋଗାଯୋଗରେ ସଂପୃକ୍ତ ରହୁଥିଲା । ‘ଫେସବୁକ’ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ ନିମନ୍ତେ ଅଭିପ୍ରେତ ଥିଲା । ‘ଲିଙ୍କଡ଼ଇନ’ ନିଯୁକ୍ତି ଆକାଂକ୍ଷୀଙ୍କ ସହାୟତାରେ ଆସୁଥିଲା । କିନ୍ତୁ ‘ଟୁଇଟର’ର ଉନ୍ମୋଚନ ପରେ ପରିଚ଼ିତି ବର୍ଗଙ୍କ ସହ ଯୋଗାଯୋଗର ପରିସୀମା ବୃଦ୍ଧିପାଇ ସର୍ବସାଧାରଣକୁ ସଂପ୍ରସାରିତ ହୋଇଥିଲା । କ୍ରମଶଃ ବ୍ୟବସାୟୀ, ରାଜନୀତିକ ନେତୃବର୍ଗ ଓ ପ୍ରଚାର ଅନ୍ୱେଷୀଙ୍କ ପ୍ରୟାସରେ ବହୁ ସଂଖ୍ୟାରେ ଜନସାଧାରଣଙ୍କୁ ନିଜସ୍ୱ ମଞ୍ଚରେ ସାମିଲ କରିବା ନିମନ୍ତେ ଅନବରତ ଉଦ୍ୟମ ଜାରୀ ରହିଥିଲା । ଫଳ ସ୍ୱରୂପ ୨୦୦୯ ବେଳକୁ ‘ସୋସିଆଲ ନେଟୱାର୍କ’ କ୍ରମଶଃ ‘ସୋସିଆଲ ମିଡ଼ିଆ’ରେ ପରିଣତ ହେଲା ।

 

ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ସୋସିଆଲ ମିଡ଼ିଆର ପ୍ରସାର ମହାମାରୀ ଯାଏଁ ବଳବତ୍ତର ରହିଥିଲା । ସାମଗ୍ରୀକଭାବେ ସୋସିଆଲ ମିଡ଼ିଆ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ପ୍ରତିଯୋଗୀଭାବେ ଉପସ୍ଥାପିତ ହୋଇ ପୂର୍ବଜଙ୍କ ବିଜ୍ଞାପନ ଆୟ ନିଜ ଅକ୍ତିଆରକୁ ଆଣିବାରେ ସଫଳ ହୋଇପାରିଥିଲା । ସୋସିଆଲ ମିଡ଼ିଆ ପ୍ରସାରକ ‘ବ୍ରଡ଼କାଷ୍ଟର’ ଭୂମିକାରେ ଅବତୀର୍ଣ୍ଣ ହେବା ଏବଂ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ତଥା ବିଜ୍ଞାପନ ପ୍ରଦର୍ଶନରେ ଅତ୍ୟାଧୁନିକ ବୈଷୟିକ କୌଶଳ ପ୍ରୟୋଗଜନିତ ଅଭିଷ୍ଠ ଗୋଷ୍ଠୀଙ୍କ ନିକଟରେ ବର୍ଣ୍ଣାଢ୍ୟ ଆଙ୍ଗିକରେ ପହଞ୍ଚିବାର ସୁଯୋଗ ବିଜ୍ଞାପନ ଆୟବୃଦ୍ଧିରେ ପର୍ଯ୍ୟବସିତ ହୋଇଥିଲା । ତେବେ ଉପଭୋକ୍ତାଙ୍କ ବିକଳ୍ପ ସୋସିଆଲ ମିଡ଼ିଆ ମଞ୍ଚକୁ ଅପସାରଣ ପ୍ରକ୍ରିୟା ଏବଂ ପାରିପାର୍ଶ୍ୱିକ ପରିସ୍ଥିତି ‘ନ୍ୟୂ-ନରମାଲ’ରେ ପ୍ରଥମ ପର୍ଯ୍ୟାୟରେ ବିକଶିତ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ପାରମ୍ପରିକ ଗଣମାଧ୍ୟମ ସମ୍ମୁଖୀନ ହୋଇଥିବା ବିଜ୍ଞାପନ ଆୟ ଅଭାବ ପରିସ୍ଥିତିରେ ପହଞ୍ଚିବାକୁ ବାଧ୍ୟ ହେଲା ।

 

ବିଜ୍ଞାପନ ଆୟ ଅଭାବରେ ବିଜ୍ଞାପନ-ଆଶ୍ରିତ ବ୍ୟାବସାୟିକ ମଡ଼େଲରେ ବିକଶିତ ମୁଦ୍ରଣ ମଞ୍ଚ ଗ୍ରାହକଚାନ୍ଦା-ଆଶ୍ରିତ ବ୍ୟାବସାୟିକ ମଡ଼େଲ ଅନୁସରଣ କରିବାକୁ ବାଧ୍ୟ ହୋଇଥିଲା । ବିଜ୍ଞାପନ ଆୟ ଅଭାବରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ମଧ୍ୟ ଗ୍ରାହକ-ଚାନ୍ଦା ପ୍ରତି ନିର୍ଭରଶୀଳ ହେବାର ସମୟ ଉପନୀତ । ଟୁଇଟର ପକ୍ଷରୁ ମାସିକ ଚାନ୍ଦା ଧାର୍ଯ୍ୟ ଏକ ଉଦାହରଣ । ସୋସିଆଲ ମିଡ଼ିଆ ପତନରେ ଆଲଗୋରିଥିମର ଭୂମିକାକୁ ଉପେକ୍ଷା କରାଯାଇନପାରେ । ଉପଭୋକ୍ତାଙ୍କ ଆଚ଼ରଣ ଓ ରୁଚ଼ି ତର୍ଜମା କରି ଯାନ୍ତ୍ରିକ ଉପାୟରେ ଆଲଗୋରିଥିମ ସଂପୃକ୍ତ ଉପଭୋକ୍ତାଙ୍କ ସୋସିଆଲ ମିଡ଼ିଆ ମଞ୍ଚରେ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ‘ଟେକ୍ସଟ, ଅଡ଼ିଓ ଏଣ୍ଡ ଭିଡ଼ିଓ’ ପ୍ରଦର୍ଶନ କରାଯାଏ । ଫେସବୁକରେ ନିର୍ଦ୍ଦିଷ୍ଟ ଉପଭୋକ୍ତାଙ୍କ ବନ୍ଧୁ ପରିସରରେ ଅଯୋଗ୍ୟଙ୍କ ପ୍ରବେଶ ପରେ ସେମାନଙ୍କ ବନ୍ଧୁଙ୍କ ରୁଚ଼ି ଆଧାରରେ ସ୍ୱୟଂକ୍ରିୟ ଧାରାରେ ଅରୁଚିକର ପ୍ରଦର୍ଶନ ଆରମ୍ଭ ହୋଇଯାଏ । ଏତାଦୃଶ ଅବସ୍ଥା ସମୟକ୍ରମେ ଉପଭୋକ୍ତଙ୍କ ସଂପୃକ୍ତ ମଞ୍ଚ ପ୍ରତି ଆଗ୍ରହହାନୀରେ ପରିବର୍ତ୍ତିତ ହୁଏ । ଏହାର ପ୍ରତିରୋଧ ସଂଭବ । କିନ୍ତୁ ଅନେକ କ୍ଷେତ୍ରରେ ଉପଭୋକ୍ତା ଏହି ଦିଗରେ ସଚ଼େତନ ନଥାଏ କିମ୍ୱା ଉଦ୍ୟମ କରିବା ନିମନ୍ତେ ଯତ୍ନବାନ ହୋଇନଥାଏ ।

 

ଉପସଂହାରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠେ, ସୋସିଆଲ ମିଡ଼ିଆର ଅବକ୍ଷୟ ଆରମ୍ଭ ହୋଇସାରିଲାଣି କି ? ଅନଲାଇନ ଯୋଗାଯୋଗ ଆରମ୍ଭ ପୂର୍ବରୁ ସାଧାରଣରେ ମନୁଷ୍ୟ କମ ବ୍ୟକ୍ତିଙ୍କ ସହ ଦୈନିକଭିତ୍ତିରେ କମ ସମୟ ଯୋଗାଯୋଗରେ ସଂପୃକ୍ତ ରହୁଥିଲା । ଇଣ୍ଟରନେଟ ପ୍ରସାର, ସ୍ମାର୍ଟଫୋନ ବ୍ୟବହାର ଓ ସୋସିଆଲ ମିଡ଼ିଆରେ ଉପସ୍ଥିତି ଉଭୟ କ୍ଷେତ୍ରରେ ସଂଖ୍ୟା ଓ ଅବଧି ବୃଦ୍ଧିରେ ପରିବର୍ତ୍ତିତ ହେଲା । ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏହି ସୁବିଧା ସୁଯୋଗ ସାର୍ବଜନୀନସ୍ତରକୁ ସଂପ୍ରସାରିତ ହୋଇପାରିଲା । ପ୍ରସାରଣ ଗଣମାଧ୍ୟମ ପ୍ରତିଷ୍ଠାନ, ସରକାର ଓ ବ୍ୟାବସାୟିକ ସଂସ୍ଥା କବଳରୁ ସାଧାରଣ ନାଗରିକଙ୍କଠାରେ ପହଞ୍ଚିଲା । ପ୍ରସାରଣ ନିମନ୍ତେ କାହାରି ଅନୁମୋଦନ ‘ଏଣ୍ଡୋରର୍ସମେଣ୍ଟ’ର ଆବଶ୍ୟକତା ପଡ଼ିଲାନି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବଦଳରେ ଉପଭୋକ୍ତାଙ୍କ ସୃଜନ ‘ୟୁଜର ଜେନେରେଟଡ଼ କଣ୍ଟେଣ୍ଟ’ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ସମୃଦ୍ଧ କଲା । ଅବଶ୍ୟ ଏହି ପରିବର୍ତ୍ତିତ ଧାରା ସୁଯୋଗ ବଦଳରେ ବିପଦର ମଧ୍ୟ କାରଣ ପାଲଟିଲା । ସୋସିଆଲ ମିଡ଼ିଆ ନିୟନ୍ତ୍ରଣ ନିମନ୍ତେ ବିଶ୍ୱର ବହୁ ରାଷ୍ଟ୍ର ସରକାରୀସ୍ତରରେ ଆଇନ ପ୍ରଣୟନ ଓ ସମୀକ୍ଷା ନିମନ୍ତେ ଯତ୍ନବାନ । ଏହିସବୁ ଉପକ୍ରମ ଆଧାରରେ ୨୦୨୨ ସୁଦ୍ଧା ସୋସିଆଲ ମିଡ଼ିଆ ତୃତୀୟ ଅଧ୍ୟାୟରେ ଉପନୀତ ବୋଲି କୁହାଯାଇପାରେ ।                     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୬ ନଭେମ୍ୱର ୨୦୨୨


ତଥ୍ୟ:



Warzel, Charlie. Welcome to Geriatric Social Media : Social Media is not dying; it is changing. www.theatlantic.com. November 01, 2022

 

https://newsletters.theatlantic.com/galaxy-brain/63609043b606fe00376a82da/welcome-to-geriatric-social-media/

 

Bogost, Ian. The Age of Social Media is ending. www.theatlantic.com. November 10, 2022

 

https://www.theatlantic.com/technology/archive/2022/11/twitter-facebook-social-media-decline/672074/

 

Aichner, Thomas et. al. Twenty-Five years of Social Media : A review of social media applications and definitions from 1994 to 2019

 

https://www.ncbi.nlm.nih.gov/pmc/articles/PMC8064945/

ସୋସିଆଲ ମିଡ଼ିଆର ଆତ୍ମ-ଅନୁରାଗ ପ୍ରକାଶନ

ସୋସିଆଲ ମିଡ଼ିଆରେ ବ୍ୟକ୍ତିଗତ ତଥ୍ୟ ବହୁଳ ପ୍ରକାଶନ ଆତ୍ମ-ଅନୁରାଗର ପରିଚ଼ୟ ଦେଇଥାଏ । ମୁଖ୍ୟତଃ ନିଜ ବ୍ୟକ୍ତିତ୍ୱ, କୃତିତ୍ୱ ଓ ବଡିମା ସପକ୍ଷରେ ପ୍ରଚ଼ାରରେ ଆତ୍ମ-ଅନୁରାଗୀମାନେ ରୁଚ଼ି ରଖିଥାନ୍ତି । ଅତୀତରେ ଆତ୍ମ-ଅନୁରାଗ ପରିପ୍ରକାଶ ନିମନ୍ତେ ସାଧାରଣ ବ୍ୟକ୍ତିବିଶେଷଙ୍କ ପକ୍ଷେ ମଞ୍ଚ ଅଭାବ ଲାଗି ରହିଥିଲା । ସମ୍ୱାଦପତ୍ର ଓ ପତ୍ରପତ୍ରିକା ପ୍ରକାଶନ, ଟେଲିଭିଜନ ପ୍ରସାରଣରେ ସାମିଲ ହେବା ଇତ୍ୟାଦି ବ୍ୟୟବହୁଳତା କାରଣରୁ ସେଭଳି ମଞ୍ଚର ଉପଯୋଗ ସହଜସାଧ୍ୟ ନଥିଲା । ତେବେ ଡ଼ିଜିଟାଲ ମଞ୍ଚର ପ୍ରସାରପରେ ବିନା ମୂଲ୍ୟରେ କିମ୍ୱା କମ ଅର୍ଥ ବ୍ୟୟରେ ସୋସିଆଲ ମିଡ଼ିଆରେନିଜସ୍ୱ ପ୍ରଚ଼ାର ଅଭିଯାନ ଆୟୋଜନ ସଂଭବପର ହୋଇପାରୁଛି ।

 

ପ୍ରାଣୀ ଜଗତରେ ମନୁଷ୍ୟ ପରିବାର, ଗୋଷ୍ଠୀ ଗଠନ-ପୂର୍ବ ଅବସ୍ଥାରୁ ନିଜ ଅନୁଭବ, ଅଭିଜ୍ଞତା ଓ ଚ଼ିନ୍ତାପରିପ୍ରକାଶର ଉଦ୍ୟମ କରିଆସିଛି । ଭାବବିନିମୟରେ ଦକ୍ଷତା କାରଣରୁ ସଂଘବଦ୍ଧ ଜୀବନ ସୃଷ୍ଟି ଫଳରେ ମାନବସଭ୍ୟତାର କ୍ରମବିକାଶ ସଂଭବ ହୋଇଥିଲା । ଇତର ପ୍ରାଣୀମହଲରେ ମନୁଷ୍ୟର ଯୋଗାଯୋଗ କଳାକୌଶଳର ଉପଯୋଗ ହିଁ ତାହାରସ୍ୱତନ୍ତ୍ରତାର ମୁଖ୍ୟ ଆଧାର ।

 

ଯୋଗାଯୋଗ ପରିଧିରେ ରାସ୍ତାଘାଟ, ଯାନବାହାନ, ସାଜସରଞ୍ଜାମଠାରୁ ଆରମ୍ଭ କରି ଗଣମାଧ୍ୟମ ବହୁ ବିଭବ ସଂଶ୍ଳିଷ୍ଟ । ଭାବାବେଗ ପ୍ରକାଶ ନିମନ୍ତେ ଠାର, ଭାଷା, ଲିପି, ମୁଦ୍ରଣ, ବେତାର, ଚଳଚ଼ିତ୍ର ଓ ଇଣ୍ଟରନେଟ ମାନସିକସ୍ତରରେ ବିକଳ୍ପ ବିଶ୍ୱ ପରିକଳ୍ପନାରେ ଅନେକାଂଶରେ ସଫଳତା ହାସଲ କରିପାରିଛି । ଗଣମାଧ୍ୟମ ଉପତ୍ୟକାରେ ସୋସିଆଲ ମିଡ଼ିଆର ଅଭ୍ୟୁଦୟ ମାନବ ସଭ୍ୟତା ଲାଗି ଯୋଗାଯୋଗରେ ଏକ ନୂତନ ସମୀକରଣ ସୃଷ୍ଟି କରିଛି ।

 

ଆତ୍ମ-ଅନୁରାଗ ପ୍ରକାଶନ ନିମନ୍ତେ ଅତ୍ୟାଧୁନିକ ବୈଷୟିକ କଳାକୌଶଳ ଉପଯୋଗରେ ଫେସବୁକ, ଇନଷ୍ଟ୍ରାଗ୍ରାମ, ୟୁଟ୍ୟୁବ ଭଳି ମଞ୍ଚରେ ସେଲଫି ପ୍ରକାଶନ ଲୋକପ୍ରିୟ । ସୋସିଆଲ ମିଡ଼ିଆ ମଞ୍ଚରେ ଉପସ୍ଥିତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତି ମୂହୁର୍ତ୍ତରେ ସେ କ’ଣ କରୁଛନ୍ତି ତାହା ନିଜ ପରିଚିତ-ବନ୍ଧୁ ମହଲରେ ଜଣାଇବା ନିମନ୍ତେ ଉତ୍ସାହିତ କରିଥାଏ । ଏକାଂଶ ଉତ୍ସବାନୁଷ୍ଠାନରେ ନିଜ ଉପସ୍ଥିତିଠାରୁ ଆରମ୍ଭ କରି ଡ଼ାଏନିଂ ଟେବୁଲରେ କ’ଣ ଖାଦ୍ୟ ପରଷା ଯାଇଛି ତାହାର ଚ଼ିତ୍ର ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ପ୍ରସାରିତ କରିଥାନ୍ତି । ଯଦିଓ ଏଭଳି ପ୍ରକାଶନରେ କୌଣସି ମନ୍ଦ ପ୍ରଭାବ ଆଶା କରାଯାଇ ପାରେନା, ତେବେ ଅଧିକାଂଶ କ୍ଷେତ୍ରରେ ପାଠକ ଓ ଦର୍ଶକ ମଣ୍ଡଳୀ ଏହି ଆଚ଼ରଣକୁଏକରକମ ଆତ୍ମ-ଅନୁରାଗ ପ୍ରକାଶନ ରୂପେ ଗ୍ରହଣ କରିଥାନ୍ତି, ସ୍ଥଳ ବିଶେଷରେ ବାରମ୍ୱାର ପ୍ରକାଶନରେ ପ୍ରକାଶକଙ୍କ ବ୍ୟକ୍ତିତ୍ୱ ପ୍ରଚାର ବନ୍ଧୁମହଲେ ପ୍ରଶଂସା ବଦଳରେ ସମାଲୋଚ଼ନାର ଉତ୍ସ ପାଲଟିଥାଏ ।

 

ଉପଭୋକ୍ତାଙ୍କ ଆତ୍ମ-ଅନୁରାଗ ଚରିତାର୍ଥ କରିବା ନିମନ୍ତେ ସୋସିଆଲ ମିଡ଼ିଆ ଆପ୍ଲିକେସନଗୁଡ଼ିକ ବ୍ୟାପକ ଗବେଷଣା କରି ସାଧନମାନ ସୃଷ୍ଟି କରିଥାନ୍ତି । ଉଦାହରଣରେ କମ ବୟସ କିଶୋର କିଶୋରୀଙ୍କ ନୃତ୍ୟଗୀତ ପ୍ରତି ଦୁର୍ବଳତାକୁ ଉପଜୀବ୍ୟ କରି ତିନିରୁ ପନ୍ଦର ସେକେଣ୍ଡ ନିଜ ଅଭିନୟ ସମ୍ୱଳିତ ଭିଡ଼ିଓ ପ୍ରସ୍ତୁତକରି ପ୍ରସାରଣରେ ଟିକଟକ ୨୦୧୬ ରୁ ୨୦୧୮ ଦୁଇ ବର୍ଷ ମଧ୍ୟରେ ପଚ଼ାଶ କୋଟି ଉପଭୋକ୍ତା ସୃଷ୍ଟି କରିବାରେ ସମ୍ଭବପର ହୋଇପାରିଥିଲା । ସ୍ମାର୍ଟଫୋନରେ ସ୍ଥିରଚ଼ିତ୍ର ଓ ଭିଡ଼ିଓ ଉତ୍ତୋଳନକୁ ଗୁରୁତ୍ୱ ଦିଆଯାଉଛି । ଭିଡ଼ିଓ ସମ୍ପାଦନା କଳାକୌଶଳ ଚଳଚ଼ିତ୍ର ଷ୍ଟୁଡ଼ିଓରୁ ଫୋନ ଆପକୁ ସଂପ୍ରସାରିତ ହୋଇଛି ।

 

ଆତ୍ମ-ଅନୁରାଗ ଇଂଲିଶ ପ୍ରତିଶଦ୍ଦ ନାରସିସିଜମ । ପୌରାଣିକ ଗ୍ରୀକ ଚରିତ୍ର ନାରସିଅସଠାରୁ ନାରସିସିଜମ ଶଦ୍ଦର ଉତ୍ପତ୍ତି । ନାରସିସିଅସ ଥରେ ଜଳରେ ନିଜ ପ୍ରତିଛବି ଦେଖି ବିମୁଗ୍ଧ ହୋଇଯାଇଥିଲେ । ତେବେ ଅନବରତଭାବେ ଅତି ଦୀର୍ଘକାଳ ଜଳରେ ନିଜ ପ୍ରତିଛବି ଉପଭୋଗରୁ ବିରତ ନହେବା ଯୋଗୁଁ ମୃତ୍ୟୁବରଣ କରିଥିଲେ । ଆମେ ନିଜ ପ୍ରତିଛବିକୁ ଊଣାଅଧିକେ କେତେ ଭଲପାଉ ନାରସିଅସର ଉଦାହରଣରୁ ସୁସ୍ୱଷ୍ଟ ।

 

ନାରସିସିଜମ ଏକରକମ ସହଜାତ ପ୍ରବୃତ୍ତିଭାବେ ଗ୍ରହଣ କଲେ ଊନବିଂଶ ଶତାଦ୍ଦୀରେ ଫୋଟୋଗ୍ରାଫି ଉତ୍ତୋଳନ ପରଠୁ ଏହା ସାଧାରଣ ମନୁଷ୍ୟର ଉପଭୋଗ ସୂଚୀକୁ ଆସିଲା ବୋଲି କୁହାଯାଇପାରେ । ଫୋଟୋଗ୍ରାଫି-ପୂର୍ବ ସମୟରେ ଚ଼ିତ୍ରକରମାନେ ବିତ୍ତଶାଳୀ ଓ କ୍ଷମତାଶାଳୀଙ୍କ ପ୍ରତିଛବି ଅଙ୍କନ କରୁଥିଲେ । ତେବେ ଜନସାଧରଣଙ୍କ ପାଇଁ ଏହା କ୍ଷମତା ବର୍ହିର୍ଭୁତ ବ୍ୟାପାର ଥିଲା ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ରଂଗୀନ ଫୋଟୋଗ୍ରାଫି ଓ ଭିଡ଼ିଓ ପରେ ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକ ଶେଷଭାଗରେ ସ୍ମାର୍ଟଫୋନ ଉଦ୍ଭାବନ ସର୍ବସାଧାରଣଙ୍କ ପାଇଁ ଉଚ୍ଚମାନର ଉଭୟ ସ୍ଥିର ଓ ଚଳତ ପ୍ରତିଛବି ଉତ୍ତୋଳନ ହାତପାଆନ୍ତାର ବିଷୟରେ ପରିଣତ ହେଲା । ତେବେ ସୋସିଆଲ ମିଡ଼ିଆ ପ୍ରଚଳନ ଜନସାଧରଣଙ୍କ ପ୍ରତିଛବି ପ୍ରଦର୍ଶନ ପାଇଁ ଆବଶ୍ୟକୀୟ ମଞ୍ଚ ସୃଷ୍ଟିକରି ନାରସିସିଜମ ପ୍ରବୃତ୍ତି ଚରିତାର୍ଥ କରିବା ନିମନ୍ତେ ଉର୍ବର ଉପତ୍ୟକା ସୃଷ୍ଟିରେ ସହାୟକ ହୋଇପାରିଥିଲା ।

 

ଲି ହୁମ୍ପେରେସ ଯୁକ୍ତରାଷ୍ଟ୍ର ଆମେରିକାର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଯୋଗାଯୋଗ ଅଧ୍ୟାପିକା । ସୋସିଆଲ ମିଡ଼ିଆରେ ଉପଭୋକ୍ତାଙ୍କ ଆତ୍ମକେନ୍ଦ୍ରୀକ ବର୍ଣ୍ଣନା ସଂପର୍କରେ ତାଙ୍କରି ଏକ ପୁସ୍ତକ ‘ଦି କ୍ୱାଲିଫାଇଡ଼ ସେଲଫ: ସୋସିଆଲ ମିଡ଼ିଆ ଏଣ୍ଡ ଦି ଏକାଉଣ୍ଟିଂ ଅଫ ଏଭିରିଡ଼େ ଲାଇଫ’ ୨୦୧୮ରେ ପ୍ରକାଶିତ ହୋଇଥିଲା । ହୁମ୍ପେରେସଙ୍କ ମତରେ ଦୈନନ୍ଦିନ ଡ଼ାଏରୀ  ରଚନା ନାରସିସିଜମ ପ୍ରବୃତ୍ତିର ଅନ୍ୟତମ ପ୍ରାଚ଼ୀନ ବିଭବ । ଅଷ୍ଟାଦଶ ଓ ଊନବିଂଶ ଶତାଦ୍ଦୀରେ ଇଂଲ୍ୟାଣ୍ଡ, ୟୁରୋପୀୟ ଦେଶପୁଞ୍ଜ ଓ ଆମେରିକାରେ ମହିଳାମାନଙ୍କ ମଧ୍ୟରେ ଡ଼ାଏରୀ ରଚନା ଲୋକପ୍ରିୟ ଥିଲା । ଡ଼ାଏରୀ ରଚନା ଓ ପଠନ ଏକାନ୍ତ ବ୍ୟକ୍ତିଗତ ହେଲେହେଁ, ଅନେକ ସମୟରେ ଘରକୁ ବନ୍ଧୁବାନ୍ଧବଙ୍କ ପରିଦର୍ଶନକାଳରେ ଗୃହକର୍ତ୍ତାଙ୍କ ଡ଼ାଏରୀ ପଢ଼ିବା ସୁଯୋଗ ଦିଆଯାଉଥିଲା । ଝିଅମାନେ ବିବାହ କରି ପତିଙ୍କ ଘର ଯିବାପରେ ସେଠାରେ ଲିଖିତ ଡ଼ାଏରୀଗୁଡ଼ିକୁ ସମୟାନ୍ତେ ବାପଘରକୁ ପଢ଼ିବା ପାଇଁ ପଠାଉଥିଲେ ।

 

ସୋସିଆଲ ମିଡ଼ିଆ ଡ଼ାଏରୀର ସଦ୍ୟତମ ରୂପ । ବିଭିନ୍ନ ମଞ୍ଚରେ ରଚନା, ଚ଼ିତ୍ର ଓ ଭିଡ଼ିଓ ପୋଷ୍ଟିଂ ସମକାଳରେ ପ୍ରବାହମାନ ଧାରା । ଦୈନନ୍ଦିନ ଜୀବନର ଘଟଣାବଳୀ ପରିବାର ସଦସ୍ୟ, ବନ୍ଧୁ ଓ ପରିଚ଼ିତବର୍ଗଙ୍କ ମଧ୍ୟରେ ପ୍ରସାରଣ ସାମାଜିକ ବନ୍ଧନକୁ ସୁଦୃଢ଼ କରିଥାଏ । ପରିବର୍ତ୍ତିତ ପରିବେଶରେ ପରିବାରର ସଦସ୍ୟମାନେ ଦୂରଦୂରାନ୍ତରେ ଅବସ୍ଥାପିତ ହେଉଥିବା ହେତୁ ଏବଂ ଫୋନଯୋଗେ ବା ପତ୍ରଲେଖି ସୁଖଦୁଃଖ ଆଳାପ ନିମନ୍ତେ ସମୟ ଅଭାବ କାରଣରୁ ସୋସିଆଲ ମିଡ଼ିଆ ବିକଳ୍ପ କ୍ଷେତ୍ର ପ୍ରସ୍ତୁତ କରିଥାଏ । ଏତଦ୍ୱାରା ଆତ୍ମୀୟତା ଓ ସାମାଜିକ ସଂପର୍କ ଦୃଢ଼ୀଭୂତ ହୋଇଥାଏ । ଅନ୍ୟମାନଙ୍କ ସହ ଯୋଡ଼ି ହେବାର ଆଗ୍ରହ ସୋସିଆଲ ମିଡ଼ିଆରେ ଉପସ୍ଥିତିରେ ପ୍ରମୁଖ କାରଣରୂପେ ଚ଼ିହ୍ନଟ କରାଯାଇଥାଏ ।

 

ତେବେ ସୋସିଆଲ ମିଡ଼ିଆରେ ମାତ୍ରାଧିକ ଆତ୍ମକେନ୍ଦ୍ରୀକ ମନୋଭାବ ସଂପନ୍ନ ରଚନା ଓ ଚ଼ିତ୍ର ପ୍ରଦର୍ଶନ ସଂପୃକ୍ତ ବିଶେଷଙ୍କ ନାରସିସିଜମ ପ୍ରବୃତ୍ତି ସୂଚ଼ିତ କରୁଥିବା ପାଠକ ଓ ଦର୍ଶକ ମହଲରେ ଆଲୋଚ଼ିତ ହୋଇଥାଏ । ଆତ୍ମ-ଅନୁରାଗୀ ବା ନାରସିସିଷ୍ଟ ବ୍ୟକ୍ତି ଅନ୍ୟମାନଙ୍କଠାରୁ ମୌଳିକଭାବେ ସେ ସ୍ୱତନ୍ତ୍ର ବୋଲି ବିଶ୍ୱାସ କରିଥାଏ । ବିଶ୍ୱାସ ବାସ୍ତବିକତାଠାରୁ ବହୁ ଦୂରରେ ସ୍ଥାନିତ । ତେଣୁ ଆତ୍ମ-ଅନୁରାଗ କାରଣରୁ ବ୍ୟକ୍ତିଗତ, ପାରିବାରିକ, ସାମାଜିକ ବା ବୃତ୍ତିଗତ ଜୀବନରେ ଅଘଟଣ ଘଟିଲେ ମନୋବିଜ୍ଞାନ ଚ଼ିକିତ୍ସା ଆବଶ୍ୟକ ପଡ଼ିପାରେ । ସୋସିଆଲ ମିଡ଼ିଆରେ କର୍ମଜୀବୀଙ୍କ ଆତ୍ମ-ଅନୁରାଗ ସମ୍ୱଳିତ ପ୍ରଦର୍ଶନ ଭବିଷ୍ୟତରେ ବୃତ୍ତିଗତଜୀବନରେ ପ୍ରତିକୁଳ ପ୍ରଭାବ ପକାଇବା ଆଶଙ୍କା ଅମୂଳକ ନୁହେଁ । ବୃହତ ଶିଳ୍ପ ଓ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ପକ୍ଷରୁ କର୍ମ ନିଯୁକ୍ତି ଓ ପଦୋନ୍ନତି ପାଇଁ କ୍ରମଶଃ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ବ୍ୟବହାର କରାଯାଉଥିବା ହେତୁ ଆତ୍ମ-ଅନୁରାଗ ସଂପର୍କୀତ ତଥ୍ୟାବଳୀର ପର୍ଯ୍ୟାଲୋଚ଼ନା ସଂପୃକ୍ତ ପ୍ରାର୍ଥୀଙ୍କ ଚରିତ୍ର ମୂଲ୍ୟାୟନ କ୍ଷେତ୍ରରେ ନକାରତ୍ମକ ପ୍ରଭାବ ସୃଷ୍ଟି କରିପାରେ ।

 

ସୋସିଆଲ ମିଡ଼ିଆରେ ଆତ୍ମ-ଅନୁରାଗ ପ୍ରତିଫଳନକୁ ରୋକିବା ନିମନ୍ତେ ପୋଷ୍ଟିଂର ରଚନା ଓ ଚ଼ିତ୍ର ଭାବାବେଗର ବଶବର୍ତ୍ତୀ ହୋଇ ପ୍ରକାଶ ନକରି ଗଭୀର ଅନୁଶୀଳନର ଆବଶ୍ୟକତା ପଡ଼ିଥାଏ । ବିଶେଷତଃ ଯେଉଁମାନଙ୍କ ବନ୍ଧୁ ଓ ଅନୁଗାମୀ ଫ୍ରେଣ୍ଡସ, ଫଲାଏର୍ସଙ୍କ ସଂଖ୍ୟା ଅଧିକ ସେମାନଙ୍କୁ ଅଧିକ ସତର୍କତା ଅବଲମ୍ୱନ କରିବା ଆବଶ୍ୟକ । କାରଣ ଦୀର୍ଘ ଯତ୍ନରେ ବିକଶିତ ବ୍ୟକ୍ତିତ୍ୱ ମାତ୍ର କେତେଗୋଟି ଆତ୍ମ-ଅନୁରାଗୀ ପୋଷ୍ଟିଂରେ ଖର୍ବ ହୋଇଯିବାର ଭୟ ଥାଏ ।                      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଡ଼ିସେମ୍ୱର ୨୦୨୨


ତଥ୍ୟ:



Warburton, Nigel (Ed.) The urge to share news of our lives is neither new nor narcissistic. Aeon

 

<https://aeon.co/ideas/the-urge-to-share-news-of-our-lives-is-neither-new-nor-narcissistic>

 

How to get the most out of a narcissist’s boast. The Times of India (Bhubaneswar Edition). August 19, 2018.