ସିନେମା

ହିନ୍ଦୀ ଚଳଚ଼ିତ୍ରର ନୈରାଶ୍ୟଜନକ ସ୍ଥିତି

ହିନ୍ଦୀ ଚଳଚ଼ିତ୍ର ୨୦୧୭ରେ ନୈରାଶ୍ୟଜନକ ସ୍ଥିତିରେ ପହଞ୍ଚିଥିଲା ବୋଲି କହିବାକୁ ହେବ । ଭାରତୀୟ ଚଳଚ଼ିତ୍ର ଶିଳ୍ପ ବିଗତ ତିନି ବର୍ଷଧରି ଅଧୋଗତିର ସମ୍ମୁଖୀନ ହୋଇଚାଲିଥିବାସ୍ଥଳେ ୨୦୧୭ରେ କୌଣସି ଉଲ୍ଲେଖନୀୟ ସଫଳତା ପାଇପାରି ନାହିଁ । ଚଳଚ଼ିତ୍ର ଶିଳ୍ପରେ ବାର୍ଷିକ ଅଭିବୃଦ୍ଧି ହାର ୨୦୧୫ରେ ୯.୩ ପ୍ରତିଶତ ଥିବାବେଳେ ୨୦୧୬ରେ ୩ ପ୍ରତିଶତକୁ ହ୍ରାସ ପାଇଥିଲା । ଗଣମାଧ୍ୟମ ମଞ୍ଚରେ ମୁଦ୍ରଣରେ ଅଭିବୃଦ୍ଧିହାର ୭ ପ୍ରତିଶତ, ଟେଲିଭିଜନରେ ୮.୫ ଓ ରେଡ଼ିଓରେ ୧୪.୬ ପ୍ରତିଶତ ରେକର୍ଡ଼ କରାଯାଇଥିବାସ୍ଥଳେ ଚଳଚ଼ିତ୍ର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।


 

୨୦୧୭ରେ ଶହେ କୋଟିରୁ ଅଧିକା ବକ୍ସ ଅଫିସରୁ ଆଦାୟ କରିଥିବା ପାଞ୍ଚଗୋଟି ହିଟ୍ ଚଳଚ଼ିତ୍ର ମଧ୍ୟରେ ‘ଗୋଳମାଳ ଏଗେନ’ (୨୦୫.୪୯ କୋଟି), ‘ଜୁଡୁୱା ୨’ (୧୩୨.୩୫ କୋଟି), ‘ଟଏଲେଟ : ଏକ ପ୍ରେମକଥା’ (୧୩୨.୦୭ କୋଟି), ‘ବଦ୍ରିନାଥ କୀ ଦୁଲହନିଆ’ (୧୧୪.୧୧ କୋଟି) ଓ ‘ଜଲି ଏଲଏଲବି ୨’ (୧୦୭.୭୭ କୋଟି) ଅନ୍ତର୍ଭୁକ୍ତ ।


 

ଯେଉଁ ପାଞ୍ଚଗୋଟି ଚଳଚ଼ିତ୍ର ହିଟ ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ହୋଇପାରିଲା ନାହିଁ ସେଗୁଡ଼ିକ ମଧ୍ୟରେ ‘ଟ୍ୟୁବଲାଇଟ’ (୧୧୪.୫୭ କୋଟି), ‘ଜବ ହାରି ମେଟ ସେଜଲ’ (୬୨ କୋଟି), ‘ବାଦଶାହେ’ (୬୫.୭୭ କୋଟି), ‘ଜଗା ଜାସୁସ’ (୫୨.୬୦ କୋଟି) ଓ ‘ହାଫ ଗାର୍ଲ ଫ୍ରେଣ୍ଡ’ (୫୨.୨୯ କୋଟି) ଅନ୍ତର୍ଭୁକ୍ତ ।


 

ସେହିପରି ଯେଉଁ ପାଞ୍ଚଗୋଟି ଚଳଚ଼ିତ୍ର ବକ୍ସ ଅଫିସରେ ଅପେକ୍ଷାକୃତ ସଫଳତା ଲାଭ କରିଛନ୍ତି ସେଗୁଡ଼ିକ ହେଲା ‘ହିନ୍ଦୀ ମିଡିଅମ’ (୬୩.୦୬ କୋଟି), ‘ଲିପଷ୍ଟିକ ଅଣ୍ଡର ମାଇ ବୁର୍ଖା’ (୧୬.୫୨ କୋଟି), ‘ନିଉଟନ’ (୨୨.୧୫ କୋଟି), ‘ବରେଲୀ କୀ ବର୍ଫି’ (୩୪.୦୨ କୋଟି) ଓ ‘ଦି ଗାଜି ଅଟାକ’ (୨୦.୧୪ କୋଟି) ।


 

୨୦୧୭ ଡ଼ିସେମ୍ୱର ଶେଷରେ ରିଲିଜ ହୋଇଥିବା ‘ଟାଇଗର ଜିନ୍ଦା ହେ’ ପ୍ରଥମ ଦିନ ୩୪ କୋଟି ସହ ପ୍ରଥମ ସପ୍ତାହରେ ୨୦୬ କୋଟି ଟଙ୍କା ବକ୍ସ ଅଫିସରୁ ଆଦାୟ କରିଥିଲା । ହିନ୍ଦୀ ଚଳଚ଼ିତ୍ର ମଧ୍ୟରେ ଏହା ବର୍ଷର ସର୍ବୋଚ୍ଚସ୍ଥାନ ଅଧିକାର କରିବାରେ ସମର୍ଥ ହୋଇ ପାରିଥିଲା ।


 

୨୦୧୭ ଆରମ୍ଭରେ ତିନିଗୋଟି ବିଗ ବଜେଟ ହିନ୍ଦୀ ଚଳଚ଼ିତ୍ର ଆଶାନୁରୂପ ବ୍ୟବସାୟ କରିପାରି ନଥିଲେ ।‘କାବିଲ’ (୮୬.୫୪ କୋଟି), ‘ରଇସ’ (୧୨୮.୭୭ କୋଟି) ଓ ‘ରେଙ୍ଗୁନ’ (୨୦.୮୭ କୋଟି) ଦର୍ଶକ ମହଲରେ ଆଦୃତ ହୋଇପାରି ନଥିଲା।


 

‘ବାହୁବଳୀ: ଦି କନକ୍ଳୁଜନ’ ବକ୍ସ ଅଫିସରେ ହିଟ ହୋଇଥିଲେ ହେଁ ସମୀକ୍ଷକମାନେ ଏହାକୁ ହିନ୍ଦୀ ଚଳଚ଼ିତ୍ର ପର୍ଯ୍ୟାୟଭୁକ୍ତ କରନ୍ତି ନାହିଁ । ଏହାକୁ ତେଲୁଗୁର ଡବିଂ ମାନ୍ୟତା ଦିଆଯାଏ ।


 

‘ଦି ହିନ୍ଦୁ’ ୨ ଜାନୁୟାରୀ ୨୦୧୮ ମୁଦ୍ରିତ ସଂସ୍କରଣରେ ଦେବ୍ରୋହ କର୍ଣ୍ଣେଲିଏସଙ୍କ ପ୍ରକାଶିତ ସମୀକ୍ଷାରେ ୨୦୧୭ର ହିନ୍ଦୀ ଚଳଚ଼ିତ୍ର ଜଗତରେ ଦେଖାଦେଇଥିବା କେତେକ ମୁଖ୍ୟ ଧାରା ବା ଟ୍ରେଣ୍ଡ ସଂପର୍କରେ ବର୍ଣ୍ଣନା କରାଯାଇଛି ।


 

ପ୍ରଥମତଃ ହିନ୍ଦୀ ଚଳଚ଼ିତ୍ରର କାହାଣୀ ଏକେତ ବଡ଼ ସହର ବା ଛୋଟ ଗ୍ରାମ ଉପରେ ପର୍ଯ୍ୟବସିତ ହେଉଥିବା ସ୍ଥଳେ ୨୦୧୭ରେ ପ୍ରଯୋଜିତ ଅନେକ ଚଳଚ଼ିତ୍ରର କାହାଣୀ ଛୋଟ ସହର ଆଡ଼କୁ ମୁହାଁଇଥିଲା ।‘ମେରି ପ୍ୟାରୀ ବିନ୍ଦୁ’, ‘ବହେନ ହୋଗି ତେରି’, ‘ବରେଲୀ କୀ ବର୍ଫି’, ‘ବାବୁ ମୋସାଇ ବନ୍ଧୁକବାଜ’, ‘ଶୁଭ ମଙ୍ଗଳ’ ଓ ‘ସାବଧାନ’ ଭଳି ଚଳଚ଼ିତ୍ର ଛୋଟ ସହରର ପଟ୍ଟଭୂମି ଉପରେ ଗଢ଼ି ଉଠିଥିଲା ।


 

ଦ୍ୱିତୀୟତଃ କମେଡ଼ି ବର୍ଗରେ ‘ବଦ୍ରିନାଥ କୀ ଦୁଲହନିଆ’, ‘ଜଲି ଏଲଏଲବି ୨’, ‘ଜୁଡୱା ୨’ ଓ ‘ଗୋଳମାଳ ଏଗେନ’ ଦର୍ଶକମହଲରେ ବେଶ ଆଦୃତ ହୋଇଥିଲା ।


 

ତୃତୀୟତଃ ୨୦୧୭ରେ ବହୁ ନାରୀ ଚ଼ରିତ୍ର ପ୍ରଧାନ ଚଳଚ଼ିତ୍ର ନିର୍ମିତ ହୋଇଥିଲା । ସେଗୁଡ଼ିକ ମଧ୍ୟରେ ‘ଅନରକଲୀ ଅଫ ଆରାହ’, ‘ନାମ ସବାନା’, ‘ବେଗମ ଜାନ’, ‘ନୂର’, ‘ସିମରନ’ ଓ ‘ହସିନା ପରକାର’ ଇତ୍ୟାଦି ମୁଖ୍ୟସ୍ଥାନ ଅଧିକାର କରିଥିଲା ।


 

ଚ଼ତୁର୍ଥତଃ ଏଣିକି ସଦ୍ୟ ରିଲିଜ ହୋଇଥିବା ହିନ୍ଦୀ ଚଳଚ଼ିତ୍ରଗୁଡ଼ିକ ଡ଼ିଜିଟାଲ ମଞ୍ଚରେ ଉପଲବ୍ଧ ହେଉଛି । ଭିଡ଼ିଓ ଷ୍ଟ୍ରୀମିଂ ନେଟୱାର୍କ ‘ଆମେଜନ ପ୍ରାଇମ’ରେ ‘ହିନ୍ଦୀ ମିଡ଼ିଅମ’ ଓ ‘ନିଉଟନ’ ଦର୍ଶକମାନେ ଉପଭୋଗ କରିଥିଲେ ।‘ଟ୍ୟୁବ ଲାଇଟ’ ଓ ‘ଜବ ହ୍ୟାରି ମେଟ ସେଜଲ’ ଟେଲିଭିଜନ ଚ୍ୟାନେଲରେ ପ୍ରଦର୍ଶିତ ହୋଇଥିଲା ।


 

୨୦୧୭ରେ ହିନ୍ଦୀ ଚଳଚ଼ିତ୍ରର ଦୁରାବସ୍ଥା ୨୦୧୮ରେ ‘ପଦ୍ମାବତ’ ସହ ଶାହାରୁଖ, ଅମୀର ଓ ସଲମନ ତିନି ଖାନଙ୍କ ନିର୍ମାଣଧୀନ ଚଳଚ଼ିତ୍ରଗୁଡ଼ିକ କିଛି ମାତ୍ରାରେ ସୁଧାର ଆଣିବ ବୋଲି ଆଶା କରାଯାଉଛି । ଶାହରୁଖ ଖାନ ଆନନ୍ଦ ରାୟଙ୍କ ନିର୍ଦ୍ଦେଶିତ ନାମକରଣ କରାଯାଇନଥିବା ଚ଼ିତ୍ରରେ ଅବତୀର୍ଣ୍ଣ ହେଉଥିବା ବେଳେ ଅମୀର ଖାନ ‘ଠଗସ ଅଫ ହିନ୍ଦୁସ୍ତାନ’ ଓ ସାଲମନ ‘ରେସ ୨’ରେ ଅଭିନୟ କରୁଛନ୍ତି । ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ରାଜକୁମାର ହିରାନୀଙ୍କ ‘ସଞ୍ଜୁ’ ସହ ଅକ୍ଷୟ କୁମାର ଓ ରଣବୀର କପୁରଙ୍କ ‘ପେଡ଼ମେନ’, ‘୨.୦’, ‘ଗୋଲଡ’ ଓ ‘ମୋଗଲ’ ଇତ୍ୟାଦି ୨୦୧୮ରେ ମୁକ୍ତିଲାଭ କରିବ ।

 

ଚଳଚ଼ିତ୍ର ଜଗତରେ ବକ୍ସ ଅଫିସ ଆୟ ନିମ୍ନଗାମୀ ହୋଇଚ଼ାଲିଥିବା ଅବସରରେ ହିନ୍ଦୀ ଚଳଚ଼ିତ୍ର ଉଭୟ ଏକକ ପର୍ଦ୍ଦା ଓ ମଲଟିପ୍ଳେକ୍ସର ଦର୍ଶକଙ୍କ ରୁଚି ସୁହାଇବାରେ ଅସମର୍ଥ ହେଉଛି କି ବୋଲି ପ୍ରଶ୍ନ ଉଠୁଛି । ଡ଼ିଜିଟାଲ ମଞ୍ଚରେ ମୁଖ୍ୟତଃ ମୋବାଇଲ ଫୋନ ପର୍ଦ୍ଦାରେ ଦର୍ଶକ ନିଜ ରୁଚ଼ି ଓ ସମୟକୁ ସୁହାଇବା ଭଳି ଚଳଚ଼ିତ୍ର ପ୍ରସାରଣର ସୁବିଧା ପାଇପାରୁଥିବା ବେଳେ ଭାରତରେ ଚଳଚ଼ିତ୍ର ପଦର୍ଶନ ନିମନ୍ତେ ନୂତନ ମଡ଼େଲ ସୃଷ୍ଟିର ପୂର୍ବାନୁମାନ କରାଯାଇପାରେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୨ ଜାନୁୟାରୀ ୨୦୧

ବଲିଉଡ଼ର ପୁନରୁଥାନ

ହିନ୍ଦିଚଳଚ଼ିତ୍ର ୨୦୧୭ ତୁଳନାରେ ୨୦୧୮ରେ ଭଲ ବ୍ୟବସାୟ କରିଥିବା ହିସାବ କରାଯାଇଛି । ସାମଗ୍ରିକଭାବେ ୨୦୧୬ ଓ ୨୦୧୭ରେ ବଡ଼ ବଜେଟର ଚଳଚ଼ିତ୍ରଗୁଡ଼ିକ କ୍ରମାଗତ ବକ୍ସ ଅଫିସରେ ଫେଲ ମାରୁଥିଲା । ବଲିଉଡ଼ ଆୟର ଦୁଇ ତୃତୀୟାଂଶ ପ୍ରେକ୍ଷାଳୟ ପ୍ରଦର୍ଶନରୁ ଆସିଥାଏ । କିନ୍ତୁ ୨୦୧୪ରୁ ୨୦୧୭ ଚ଼ାରିବର୍ଷ ଧରି ପ୍ରେକ୍ଷାଳୟରେ ଦର୍ଶକ ସଂଖ୍ୟା ନୈରାଶ୍ୟଜନକ ରହି ଆସୁଥିବା ସ୍ଥଳେ ୨୦୧୮ରେ ସାମାନ୍ୟ ଉନ୍ନତି ଲକ୍ଷ୍ୟ କରାଯାଇଥିଲା ।


 

କେତେକ ଛୋଟ ବଜେଟର ହିନ୍ଦିଚଳଚ଼ିତ୍ରର ବ୍ୟାବସାୟିକ ସଫଳତା ୨୦୧୮ର ବୈଶିଷ୍ଟ୍ୟ । ‘ବଧାଇ ହୋ’ ଓ ‘ଅନ୍ଧାଧୂନ’ ଭଳି ଚଳଚ଼ିତ୍ର ପ୍ରତି ଦର୍ଶକ ଆକୃଷ୍ଟ ହେବା ବଲିଉଡ଼ଚଳଚ଼ିତ୍ର ନିର୍ମାଣରେ ମସଲା ପରମ୍ପରାରେ ମୋଡ଼ ଆଣି ଦେଇପାରିଛି । ‘ବଧାଇ ହୋ’ର କାହାଣୀ ଏକ ମଧ୍ୟବିତ୍ତ ୫୦ ବର୍ଷୋତ୍ତର ରେଳ କର୍ମଚ଼ାରୀଙ୍କ ପତ୍ନୀ ହଠାତ ଗର୍ଭଧାରଣ କରିବା ଘଟଣାକୁ ନେଇ ଗଢ଼଼ି ଉଠିଥିଲା । ଗଜରାଜ ରାଓ ରେଳ କର୍ମଚ଼ାରୀ ଓ ନୀନା ଗୁପ୍ତା ତାଙ୍କରି ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ପ୍ରାୟ ୩୦ କୋଟି ଟଙ୍କାରେ ନିର୍ମିତ ଚଳଚ଼ିତ୍ରଟି ପ୍ରଥମ ସପ୍ତାହରେ ପ୍ରେକ୍ଷାଳୟ ପ୍ରଦର୍ଶନରୁ ୭୩ କୋଟି ଟଙ୍କା ଆଦାୟ କରିଥିଲା ।


 

‘ଅନ୍ଧାଧୂନ’ ରହସ୍ୟ ରୋମାଞ୍ଚଭରାଥ୍ରୀଲର । ଜଣେ ବ୍ୟକ୍ତି ଅନ୍ଧ ଅଭିନୟ କରି ଏକ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ପାଲଟିଯାଏ । ଚଳଚ଼ିତ୍ରଟିପ୍ରଥମ ସପ୍ତାହରେ ବକ୍ସଅଫିସରୁ୫୬ କୋଟି ଟଙ୍କା ସଂଗ୍ରହ କରିଥିଲା । ‘ରାଜି’ଚଳଚ଼ିତ୍ରରେ ଜଣେ ଭାରତୀୟ ଯୁବତୀ ୧୯୭୧ ଯୁଦ୍ଧ ଅବସରରେ ଗୋଇନ୍ଦାଗିରି ଉପଲକ୍ଷେ ପାକିସ୍ଥାନୀ ସେନା ଅଫିସରଙ୍କୁ ବିବାହ କରିବା ଘଟଣା ଉପରେ ପର୍ଯ୍ୟବସିତ । ଏସବୁ ଚଳଚ଼ିତ୍ରର କାହାଣୀ ଗତାନୁଗତିକ ବଲିଉଡ଼ଚଳଚ଼ିତ୍ରଠାରୁ ଭିନ୍ନ । ଏଭଳି ବିବିଧତାକୁ ଦର୍ଶକମାନେ ଉପଭୋଗ କରିବା ବଲିଉଡ଼ଚଳଚ଼ିତ୍ରର ଗୁଣାତ୍ମକ ବିକାଶଲାଗି ସଂଭାବନା ସୃଷ୍ଟି କରିଥାଏ ।


 

ସଞ୍ଜୁ, ପଦ୍ମାବତ, ଭିରେ ଦି ୱେଡ଼ିଂ ଭଳି ମସଲା ଚଳଚ଼ିତ୍ର ସହ ସ୍ତ୍ରୀ, ଭାରତ ଆନେ ନେନୁ, ରଂଗସ୍ଥଳମ, ରେନୁ କେ ଟିଟୁ କୀ ସୁଇଟି ୨୦୧୮ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ଚଳଚ଼ିତ୍ର ମଧ୍ୟରେ ଅନ୍ୟତମ । ଚ଼େନ୍ନାଇରେ ପ୍ରଯୋଜିତ ରଜନୀକାନ୍ତଙ୍କ ‘୨.୦’ହିନ୍ଦିରେଡବିଂ ହୋଇ ୨୦୧୮ ନଭେମ୍ୱର ଶେଷ ସପ୍ତାହରେ ରିଲିଜ ହୋଇଥିଲା । ଏହା ପ୍ରଥମ ସପ୍ତାହରେ ୨୧ କୋଟି ଟଙ୍କା ବକ୍ସ ଅଫିସରୁ ଆଦାୟ କରିଥିଲା । ତେଲୁଗୁ ଓ ତାମିଲରେ ୪୦ କୋଟି ଟଙ୍କା ମିଳିଥିଲା । ଚଳଚ଼ିତ୍ରଟି ତିନୋଟି ଭାଷାରେ ସାତ ହଜାର ରୂପେଲି ପରଦାରେ ଉଭୟ ୨ଡି ଓ ୩ଡି ଆଙ୍ଗୀକରେ ରିଲିଜ କରାଯାଇଥିଲା । ପ୍ରାୟ ୫୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚଳଚ଼ିତ୍ରଟିରସେଟେଲାଇଟ ଓ ଷ୍ଟ୍ରୀମିଂ ସତ୍ତ୍ୱ ବାବଦରେ ୧୯୦ କୋଟି ଟଙ୍କା ରିଲିଜ ଆଗରୁ ମିଳିଯାଇଥିଲା । ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ‘୨.୦’ ରିଲିଜ ଅନ୍ୟତମ ଦୃଷ୍ଟିଆକର୍ଷଣକାରୀ ଘଟଣା ।


 

ଡ଼ିଜିଟାଲ କାରିଗରୀ କୌଶଳର ବିକାଶ ସହ ସମତାଳ ରଖି ଭାରତୀୟ ଚଳଚ଼ିତ୍ରନିର୍ମାଣଲାଗି ଯେ କେବଳ ଡ଼ିଜିଟାଲ ପଦ୍ଧତି ବ୍ୟବହାର କରାଯାଉଛି ତାହା ନୁହ, କ୍ରମଶଃ ଚଳଚ଼ିତ୍ର ପ୍ରଦର୍ଶନରେ ମଧ୍ୟ ଡ଼ିଜିଟାଲପରିବେଶ ଉପଯୋଗ ଦେଖିବାକୁ ମିଳୁଛି । ଏକ ପକ୍ଷରେ ଇଣ୍ଟରନେଟ ମାଧ୍ୟମରେ କମ୍ପ୍ୟୁଟର ଓ ମୋବାଇଲ ପର୍ଦ୍ଦାରେ ଚଳଚ଼ିତ୍ର ଉପଭୋଗର ଲୋକପ୍ରିୟତା ଫଳସ୍ୱରୂପ ଅଧିକରୁ ଅଧିକ ଚଳଚ଼ିତ୍ରରଷ୍ଟ୍ରୀମିଂ ସତ୍ତ୍ୱ ବିକ୍ରୀରୁ ବଲିଉଡ଼ଚଳଚ଼ିତ୍ର ପ୍ରଯୋଜକଗଣ ନିର୍ମାଣ ଖର୍ଚ୍ଚର ୨୦ ପ୍ରତିଶତ ଯାଏଁ ରାଜସ୍ୱ ଆଦାୟରେ ସକ୍ଷମ ହୋଇପାରୁଛନ୍ତି ।


 

ଅପରପକ୍ଷରେ ଚଳଚ଼ିତ୍ର ରିଲିଜ ଅବସରରେ ପ୍ରମୋଶନ କରିବା ନିମନ୍ତେ ଟ୍ରେଲର ବା ‘ଫାଷ୍ଟ ଲୁକ ବା ଇମ୍ପ୍ରେସନ’ ସୋସିଆଲ ମିଡ଼ିଆରେ ପ୍ରସାରଣ ଲୋକପ୍ରିୟ ହେବାରେ ଲାଗିଛି । ଶାହାରୁଖଖାନ ଅଭିନୀତ ‘ଜିରୋ’ ୨୦୧୮ରେ ରିଲିଜ ହେବା ପୂର୍ବରୁ ୟୁ-ଟ୍ୟୁବରେ ପ୍ରସାରଣର ତିନି ସପ୍ତାହ ମଧ୍ୟରେ ୧୦ କୋଟି ଦର୍ଶକ ଦେଖିଥିଲେ । ସେଥିମଧ୍ୟରୁ ୨୦ ଲକ୍ଷ ଅନୁକୂଳ ଓ ଦେଢ଼ ଲକ୍ଷ ପ୍ରତିକୂଳ ମନ୍ତବ୍ୟ ଲିପିବଦ୍ଧ କରିଥିଲେ । ବଲିଉଡ଼ରେ୨୦୧୮ରେ ରିଲିଜ ହୋଇଥିବା ମାତ୍ର କେତେଗୋଟି ଚଳଚ଼ିତ୍ରକୁ ବାଦ ଦେଲେ ସବୁଗୁଡ଼ିକରଟ୍ରେଲର ୟୁ-ଟ୍ୟୁବରେ ହିଁ ପ୍ରଥମେ ପ୍ରଦର୍ଶିତ ହୋଇଥିବା ଜଣାଯାଏ । ଏଥିସହ ଫେସବୁକ ଓ ଇନଷ୍ଟ୍ରାଗ୍ରାମ ଭଳି ସୋସିଆଲ ମିଡ଼ିଆ ମଞ୍ଚରେ ମଧ୍ୟ ଟ୍ରେଲର ପ୍ରସାରଣ ବହୁଳଭାବେ ଦେଖିବାକୁ ମିଳିଥାଏ ।


 

ଚଳଚ଼ିତ୍ରରପ୍ରମୋଶନରେଟ୍ରେଲରର ଗୁରୁତ୍ୱ ଦୃଷ୍ଟିରୁ ବଲିଉଡ଼ ପ୍ରଯୋଜକମାନେ କ୍ରମଶଃ ଟ୍ରେଲର ନିର୍ମାଣ ପ୍ରତି ଅଧିକ ଯତ୍ନଶୀଳ ହେଉଛନ୍ତି । ମୂଳ ଚଳଚ଼ିତ୍ରର ବିଷୟବସ୍ତୁ ସହ ଉଲ୍ଲେଖନୀୟ ଉପାଦାନଗୁଡ଼ିକୁଟ୍ରେଲରରେ ସ୍ଥାନିତ କରିବା ନିମନ୍ତେ ଉଦ୍ୟମ କରାଯାଉଛି । ବଲିଉଡ଼ଟ୍ରେଲର ପିଛା ୧୦ ଲକ୍ଷରୁ କୋଟିଏ ଟଙ୍କା ଯାଏଁ ବ୍ୟୟ କରାଯାଉଥିବା ଚର୍ଚ୍ଚିତ ହୋଇଥାଏ ।


 

ଭାରତରେ ମୋବାଇଲ ପର୍ଦ୍ଦାରେ ଭିଡ଼ିଓ ଉପଭୋଗ ଲୋକପ୍ରିୟ ହେବା ଅବସରରେ ୟୁ-ଟ୍ୟୁବ ଦର୍ଶକଙ୍କ ପ୍ରଥମ ପସନ୍ଦ ମଞ୍ଚରେ ପରିଣତ ହୋଇଛି । କୁହାଯାଏ ଯେ ‘ଟି-ସିରିଜ’ର ୟୁ-ଟ୍ୟୁବଚ଼୍ୟାନେଲରସାତକୋଟି ଗ୍ରାହକ ରେଜିଷ୍ଟ୍ରୀଭୁକ୍ତ ହୋଇଛନ୍ତି । ଏଭଳି ପରିବେଶରେ ୟୁ-ଟ୍ୟୁବରେବଲିଉଡ଼ଚଳଚ଼ିତ୍ରରଟ୍ରେଲରରିଲିଜ ପରେ ଖୁବ୍ କମ ସମୟ ମଧ୍ୟରେ ଏକ ବିସ୍ତୃତ ଦର୍ଶକମଣ୍ଡଳୀନିକଟରେ ଚଳଚ଼ିତ୍ର ସଂପର୍କୀତ ତଥ୍ୟ ପ୍ରସାରଣ ଏକ ନୂତନ ସୁଯୋଗ ସୃଷ୍ଟି କରିଛି । ଅତୀତରେ ଚଳଚ଼ିତ୍ରପ୍ରେକ୍ଷାଳୟରେ ଟ୍ରେଲର ପ୍ରଦର୍ଶନ ତଥା ଟେଲିଭିଜନରେ ପ୍ରସାରଣ ବ୍ୟୟସାପେକ୍ଷଥିବା ସ୍ଥଳେ ୟୁ-ଟ୍ୟୁବରେପ୍ରଦର୍ଶନ ବିନାଖର୍ଚ୍ଚରେ ସଂଭବପର ହୋଇପାରୁଛି ।


 

ଖ୍ୟାତନାମା ଅଭିନେତା ଶାହରୁଖଖାନଙ୍କ ଅଭିନୀତ ‘ଜିରୋ’ ୨୦୧୮ ଡ଼ିସେମ୍ୱର ଶେଷରେ ରିଲିଜ ହୋଇଥିଲା । ବକ୍ସଅଫିସରେଚଳଚ଼ିତ୍ରଟି ଭଲ ବ୍ୟବସାୟ କରିପାରିନଥିଲା । ଏଥିପୂର୍ବ ରିଲିଜ ହୋଇଥିବା ‘ଫେନ’ ଓ ‘ଜବ ହାରୀ ମେଟସେଜଲ’ ମଧ୍ୟ ବ୍ୟାବସାୟିକ ଦୃଷ୍ଟିରୁ ଫେଲ ମାରିଥିଲା । ‘ଜିରୋ’ର କାହାଣୀ ଜଣେ ଦିବ୍ୟାଙ୍ଗଙ୍କ ଗୁରୁତର ରୋଗାକ୍ରାନ୍ତ ବିଜ୍ଞାନୀଙ୍କ ସହ ପ୍ରେମ ସଂପର୍କକୁ ନେଇ ଗଢ଼ି ଉଠିଥିଲା । କାହାଣୀରେ ନୂତନତ୍ୱ ଥିବା ସତ୍ତ୍ୱେ ତାହା ଦର୍ଶକଙ୍କୁ ଆକର୍ଷିତ କରିପାରି ନଥିଲା । ଶାହାରୁଖଖାନ ୫୩ ବର୍ଷରେ ପଦାର୍ପଣ କରିଛନ୍ତି । ସେ ପ୍ରାୟ ଶହେ ସରିକି ଚଳଚ଼ିତ୍ରରେ ଅଭିନୟ କରିଥିବା ସ୍ଥଳେ ୬୦ ଚଳଚ଼ିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ହୁଏତ ପରିବର୍ତ୍ତିତ ପରିବେଶରେ ତାଙ୍କରି ଅଭିନୀତ ଚଳଚ଼ିତ୍ରଗୁଡ଼ିକଲୋକପ୍ରିୟତା ହାସଲ କରିପାରୁ ନାହିଁ ।

 

ନୂତନ ପରିବେଶ ଚଳଚ଼ିତ୍ରର କାହାଣୀ, ଚରିତ୍ର ଚ଼ିତ୍ରଣ, ଅଭିନେତା ନିର୍ବାଚ଼ନଠାରୁଆରମ୍ଭକରିଚଳଚ଼ିତ୍ର ପ୍ରଦର୍ଶନ ଓ ରିଲିଜ ବିଜ୍ଞାପନ ଯାଏଁ ପ୍ରଭାବ ବିସ୍ତାର କରିଛି । ଅତୀତରେ ଚଲଚ଼ିତ୍ରର କାହାଣୀ ନାୟକ ନାୟିକାକେନ୍ଦ୍ରୀକ ଅଥବା ଖ୍ୟାତନାମା ଚଳଚ଼ିତ୍ର ଅଭିନେତା-ଅଭିନେତ୍ରୀକେନ୍ଦ୍ରୀକ ଆଙ୍ଗୀକରେ ଗଢ଼ି ଉଠୁଥିଲା । ୨୦୧୮ର ବଲିଉଡ଼ର କେତେକ ସଫଳ ଚଳଚ଼ିତ୍ରରେ ସେହି ଧାରା ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳେ । ‘ବଧାଇ ହୋ’ର କାହାଣୀ ୫୦ ବର୍ଷୋତ୍ତର ନାୟକନାୟିକାଙ୍କଯୋଡ଼ିକୁ ନେଇ ଗଢ଼ି ଉଠିଥିବା ବେଳେ ‘ରାଜୀ’ର ନାୟିକା ଆଲିଆ ଭଟ୍ଟଙ୍କ ସ୍ଥାନରେ ଅନ୍ୟ କେହି ବି ଅଭିନୟ କରିପାରିଥାନ୍ତେ । କେତେକ ଚଳଚ଼ିତ୍ରସମାଲୋଚ଼କଙ୍କ ମତରେ ଚଳଚ଼ିତ୍ରଜନ୍ମକାଳରୁ ଆସ୍ଥାନ ଜମାଇ ବସିଥିବା ପ୍ରେମକେନ୍ଦ୍ରୀକ କାହାଣୀରୁ ଦୂରେଇ ଯିବା ଲାଗି ସ୍ଥଳବିଶେଷରେ ଉଦ୍ୟମ ଫଳପ୍ରଦ ହେଉଛି । ତେବେ ପ୍ରଶ୍ନ ଉଠେ ୨୦୧୮ରେ ବଲିଉଡ଼ଚଳଚ଼ିତ୍ରବ୍ୟବସାୟରେ ସାମାନ୍ୟ ଉନ୍ନତିର ଯେଉଁ ଆଭାସ ମିଳୁଛି ତାହା ୨୦୧୯ରେ ଶାଣିତ ହୋଇପାରିବ କି ?  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଫେବୃୟାରୀ ୨୦୧


ତଥ୍ୟ:



Kohli-Khandekar, Vanita. Badhaai ho, Indian Film Industry. Business Standard (Bhubaneswar Edition). October 24, 2018.


 

Day 1 : Rajini’s 2.0 makes ₹600 mn. Business Standard (Bhubaneswar Edition). December 1 / 2, 2018.


 

Bollywood gets savvier with small screen debuts. Business Standard (Bhubaneswar Edition). November 30, 2018.


 

Kohli – Khandekar, Vanita. The fifties conundrum. Business Standard (Bhubaneswar Edition). January 16, 2019.

ଚଳଚ଼ିତ୍ର ଶିଳ୍ପରେ ନୂତନ ଅଧ୍ୟାୟ

ପାରମ୍ପରିକଭାବେ କୁହାଯାଏ, ପ୍ରତିକୂଳ ପରିବେଶ ନୂତନ ସମ୍ଭାବନା ନେଇ ପହଞ୍ଚିଥାଏ । ‘କୋଭିଡ଼-୧୯’ ମହାମାରୀ ସଂକ୍ରମଣ ରୋକିବା ନିମନ୍ତେ ସମଗ୍ର ଭାରତରେ ବର୍ଷେରୁ ଦୁଇ ବର୍ଷ ଯାଏଁ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ବନ୍ଦ ରହି ମାର୍ଚ୍ଚ ୨୦୨୨ ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଅବସରରେ କେତେକ ନୂତନ ଉପକ୍ରମ ଦୃଷ୍ଟିକୁ ଆସିଥିଲା । ଚଳଚ଼ିତ୍ର ଶିଳ୍ପରେ ଉନ୍ନତି ମୁଖ୍ୟତଃ ସେହି ସମୟସୀମାରେ ମୁକ୍ତିଲାଭ କରୁଥିବା ଚଳଚ଼ିତ୍ରଗୁଡ଼ିକର ଲୋକପ୍ରିୟତା ଉପରେ ନିର୍ଭରଶୀଳ । ମହାମାରୀ ପରବର୍ତ୍ତୀ ପରିବେଶରେ ପୁଷ୍ପା, ଆରଆରଆର, କେଜିଏଫ-୨, କାଶ୍ମୀର ଫାଇଲ୍ସ, ବଚ୍ଚନ ପାଣ୍ଡେ, ରାଧେଶ୍ୟାମ ଓ ଝଣ୍ଡ ଭଳି ଚଳଚ଼ିତ୍ର ବକ୍ସ ଅଫିସରେ ସଫଳତା ହାସଲ କରିବା ଭାରତୀୟ ଚଳଚ଼ିତ୍ର ଶିଳ୍ପ ପୁନଃବିକଶିତ ହେବା ସୂଚ଼ିତ କରିଥିଲା ।

 

ମହାମାରୀ ପ୍ରଭାବିତ ଗଣମାଧ୍ୟମ ବିଘଟନରେ ଭାରତୀୟ ଚଳଚ଼ିତ୍ର ଶିଳ୍ପ ଉପରେ କ୍ରମବିକଶିତ ‘ଓଭର-ଦି-ଟପ’ ଓଟିଟି ମଞ୍ଚ ପ୍ରତିକୂଳ ପ୍ରଭାବ ବିସ୍ତାର କରିବା ଆଶଙ୍କା କରାଯାଉଥିଲା । ଏକ ପକ୍ଷରେ ଭୂତାଣୁ ସଂକ୍ରମଣ ଭୟରେ ସାଧାରଣ ଦର୍ଶକ ପ୍ରେକ୍ଷାଳୟ ପରିଦର୍ଶନ ବଦଳରେ ଓଟିଟି ମଞ୍ଚରେ ଚଳଚ଼ିତ୍ର ଉପଭୋଗ ସୀମିତ ରଖିବା ଏବଂ ଅପରପକ୍ଷରେ ଓଟିଟି ମଞ୍ଚ ଓ ଉପଭୋକ୍ତା ସଂଖ୍ୟା ବଢ଼ିଚାଲିବା ତଥା କେତେକ ବଡ଼ ଚଳଚ଼ିତ୍ର ଓଟିଟି ମଞ୍ଚରେ ମୁକ୍ତିଲାଭ କରି ପ୍ରଦର୍ଶିତ ହେବା ଭଳି ଘଟଣା ଭାରତୀୟ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟବସାୟର ଭବିଷ୍ୟତ ପ୍ରତି ଆଶଙ୍କା ସୃଷ୍ଟି କରିଥିଲା । ତେବେ ବାସ୍ତବ କ୍ଷେତ୍ରରେ ଓଟିଟି ମଞ୍ଚର ବିକାଶ ଏକ ନୂତନ ପ୍ରଜାତିର ଚଳଚ଼ିତ୍ର ନିର୍ମାଣ ଲାଗି ପ୍ରୋତ୍ସାହନ ଯୋଗାଇଥିବା ପରିଲକ୍ଷିତ ହୋଇଥିଲା ।

 

ମହାମାରୀ-ପର ଅବସ୍ଥାରେ ଡ଼ିସେମ୍ୱର ୨୦୨୧ରେ ମୁକ୍ତିଲାଭ କରିଥିବା ‘ପୁଷ୍ପା’, ମାର୍ଚ୍ଚ ୨୦୨୨ରେ ‘ଆରଆରଆର’ ଏବଂ ଏପ୍ରିଲ ୨୦୨୨ରେ ‘କେଜିଏଫ-୨’ ଇତ୍ୟାଦି ଦକ୍ଷିଣ ଭାରତୀୟ ଚଳଚ଼ିତ୍ର । ଏହି ଚଳଚ଼ିତ୍ରଗୁଡ଼ିକ ସର୍ବଭାରତୀୟସ୍ତରରେ ବକ୍ସ ଅଫିସରେ ସଫଳତା ହାସଲ କରିଥିଲା । ବିଶେଷଜ୍ଞମାନଙ୍କ ମତରେ ଭାରତରେ ୨୦୧୬ରୁ ଓଟିଟି ମଞ୍ଚ ବିକଶିତ ହେବାପରେ ହିନ୍ଦି ସାଙ୍ଗକୁ ଆଞ୍ଚଳିକ ଭାଷାରେ ଚଳଚ଼ିତ୍ର ଉପଭୋଗ କରିବା ସୁବିଧା ସୁଯୋଗ ଦର୍ଶକ ପାଇପାରିଲେ । ଫଳରେ ଦେଶର ବିଭିନ୍ନ ପ୍ରାନ୍ତର ପ୍ରତିଭାବାନ କଳାକାରଙ୍କ ଚାହିଦା ବଢ଼ିଲା । ମହାମାରୀ ପୂର୍ବରୁ ତେଲୁଗୁ ଓ ହିନ୍ଦି ଭାଷାରେ ନିର୍ମିତ ‘ବାହୁବଳୀ’ ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ଏକ ନୂତନ ଅଧ୍ୟାୟ ଉନ୍ମୋଚନ କରିଥିଲେ ହେଁ ତେଲୁଗୁ ଭାଷାରେ ନିର୍ମିତ ‘ପୁଷ୍ପା’ ସେହି ଅଧ୍ୟାୟର ଦୃଢ଼ୀକରଣରେ ଅଂଶୀଦାର ହୋଇଥିଲା ।

 

ବକ୍ସଅଫିସ ହିସାବ ଅନୁଯାୟୀ ‘ପୁଷ୍ପା’ ମୁକ୍ତିଲାଭ କରିବା ପ୍ରଥମ ୪୦ ଦିନ ମଧ୍ୟରେ ୩୬୦ କୋଟି ଟଙ୍କା ଆଦାୟ କରିଥିବା ସ୍ଥଳେ ଅର୍ଦ୍ଧେକ ତେଲୁଗୁ ଭାଷାଭାଷୀ ଅଞ୍ଚଳ ଏବଂ ୧୦୦ କୋଟି ଟଙ୍କା ହିନ୍ଦି ଭାଷାଭାଷୀ ଅଞ୍ଚଳରୁ ବ୍ୟବସାୟ ହୋଇଥିଲା । ପରବର୍ତ୍ତୀ ଚଳଚ଼ିତ୍ର ‘ଆରଆରଆର’ ପାଞ୍ଚଗୋଟି ଭାଷାରେ ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା । କାଳ୍ପନିକ ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ ଆଧାରିତ ଏହି ଚଳଚ଼ିତ୍ରରେ ତେଲୁଗୁ ଅଭିନେତା ଜୁନିୟର ଏନଟି ରାମାରାଓ, ରାମଚ଼ରଣ ଙ୍କ ସହ ହିନ୍ଦି ଅଭିନେତା ଅଜୟ ଦେବଗନ, ଆଲିଆ ଭଟ୍ଟ ଅଭିନୟ କରିଥିଲେ । ଶୁଭମୁକ୍ତିର ଦୁଇମାସ ପରେ ଓଟିଟି ମଞ୍ଚ ‘ନେଟଫିକ୍ସ’ ହିନ୍ଦି ଓ ‘ଜି-୫’ ତେଲୁଗୁ, ତାମିଲ, ମାଳାୟଳମ, କନ୍ନଡ଼ ଭାଷାରେ ଷ୍ଟ୍ରୀମିଂ କରିବା ଯୋଜନା କରାଯାଇଥିଲା ।

 

ଏହି ଉଦାହରଣରୁ ବେଶ ସୂଚ଼ିତ ହୋଇଥାଏ ଯେ ଓଟିଟି ମଞ୍ଚ ଭାରତୀୟ ଚଳଚ଼ିତ୍ରକୁ ଏକ ବିସ୍ତୃତ ଦର୍ଶକଙ୍କ ସହ ପରିଚ଼ିତ କରାଇବା ସଙ୍ଗେ ପ୍ରେକ୍ଷାଳୟ ପ୍ରଦର୍ଶନର ବିରୋଧ ନକରି ପରିପୂରକ ଭୂମିକା ନିର୍ବାହ କରିଛି । ହିନ୍ଦି ଅଭିନେତାମାନେ ଦକ୍ଷିଣ ଭାରତୀୟ ଅଭିନେତାଙ୍କ ସହ ମିଳିତଭାବେ ଚଳଚ଼ିତ୍ରରେ ଅଭିନୟରେ ସାମିଲ ହେବା ଏବଂ ଏହି ଚଳଚ଼ିତ୍ରଗୁଡ଼ିକ ସର୍ବଭାରତୀୟସ୍ତରରେ ପ୍ରଦର୍ଶିତ ହୋଇ ଲୋକପ୍ରିୟତା ହାସଲ କରିବା ଏକ ନୂତନ ପରମ୍ପରାର ସୂଚ଼ନା ଦେଇଥାଏ । ଏହି ପ୍ରକ୍ରିୟା ଚଳଚ଼ିତ୍ର ଶିଳ୍ପରେ ଏକତ୍ରୀକରଣ ‘କନସଲଡ଼ିସେନ’ର ପ୍ରତିଫଳନ । ମହାମାରୀ-ପର ପରିବେଶରେ ଦଶ ବାର ଗୋଟି ଏହି ବର୍ଗର ଚଳଚ଼ିତ୍ର ନିର୍ମିତ ହୋଇଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ତଃପକ୍ଷେ ମାସିକ ଗୋଟିଏ ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ସର୍ବଭାରତୀୟସ୍ତରରେ ପ୍ରଦର୍ଶନ ନିମନ୍ତେ ପ୍ରସ୍ତୁତ ହେବା ଆଶା କରାଯାଉଥିବା କୁହାଯାଇଥିଲା ।

 

ମହାମାରୀରେ ଓଟିଟି ମଞ୍ଚର ବିକାଶ ପରେ ଦର୍ଶକ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରତି ଅବହେଳା ଆଶଙ୍କା ଏକରକମ ଦୂରୀଭୁତ ହୋଇଥିଲା । ମହାମାରୀର ଶେଷ ଅବସ୍ଥାରେ ଜନଜୀବନ ପୁନର୍ବାର ସାଧାରଣସ୍ତରରେ ପହଞ୍ଚିବା ପରେ ୨୦୨୧ର ଶେଷ ତ୍ରୟମାସ ଓ ୨୦୨୨ର ପ୍ରଥମ ତ୍ରୟମାସରେ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟବସାୟ ଗତିଶୀଳ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ମହାମାରୀ-ପୂର୍ବ ଅବସ୍ଥାରେ ଭାରତୀୟ ଚଳଚ଼ିତ୍ର ଶିଳ୍ପର କାରବାର ପ୍ରାୟ ୧୯ ହଜାର କୋଟି ହିସାବ କରାଯାଇଥିଲା । ଏଥିରେ ହିନ୍ଦି ଚଳଚ଼ିତ୍ରରୁ ଆୟ ପ୍ରମୁଖଭାଗ ଦାବୀ କରିଆସିଥିଲା । ତେବେ ମହାମାରୀ-ପର ଅବସ୍ଥାରେ ଦକ୍ଷିଣ ଭାରତୀୟ ଭାଷାରେ ପ୍ରଯୋଜିତ ଚଳଚ଼ିତ୍ରଗୁଡ଼ିକ ସର୍ବଭାରତୀୟସ୍ତରରେ ପ୍ରଦର୍ଶିତ ହୋଇ ଅଧିକ ଆୟ କରୁଥିବା ଏକ ନୂତନ ଅଭିଜ୍ଞତା ।

 

‘ଆରଆରଆର’ ଭଳି ଚଳଚ଼ିତ୍ର ମାର୍ଚ୍ଚ ୨୦୨୨ରେ ପାଞ୍ଚ ଶହ କୋଟି ଟଙ୍କା ସମୁଦାୟ ପ୍ରେକ୍ଷାଳୟ ପ୍ରଦର୍ଶନରୁ ଆୟ ନିମନ୍ତେ ସହାୟକ ହୋଇଥିବା ସ୍ଥଳେ ଏପ୍ରିଲ ୨୦୨୨ରେ ‘କେଜିଏଫ-୨’ରୁ ମଧ୍ୟ ସେହି ପରିମାଣର ଆୟ ପାଇଁ ସହାୟକ ହେବା ଆକଳନ କରାଯାଇଥିଲା । ମହାମାରୀ-ପର ଅବସ୍ଥାରେ ଭାରତରେ ପ୍ରାୟ ନଅ ହଜାର ପାଞ୍ଚ ଶହ ରୂପେଲି ପରଦାରୁ ମଲଟିପ୍ଳେକ୍ସ ସ୍କ୍ରୀନ ସଂଖ୍ୟା ତିନି ହଜାର ରହିଥିଲା ।

 

ମଲଟିପ୍ଳେକ୍ସରେ ଚଳଚ଼ିତ୍ର ସୋ’ ପ୍ରଦର୍ଶନ ସଂଖ୍ୟା ପାରମ୍ପରିକ ପ୍ରେକ୍ଷାଳୟ ତୁଳନାରେ ଅଧିକ ଏବଂ ଟିକଟ ଦର ଅଧିକ ରହିଥାଏ । ଫଳରେ ପରିବର୍ତ୍ତିତ ପରିବେଶରେ ଚଳଚ଼ିତ୍ର ପ୍ରଦର୍ଶନ ଆୟ ମଲଟିପ୍ଳେକ୍ସ ଉପରେ କେନ୍ଦ୍ରୀଭୂତ ହେବାରେ ଲାଗିଛି । ମହାମାରୀ-ପର ଅବସ୍ଥାରେ ଚଳଚ଼ିତ୍ରଗୁଡ଼ିକର ଅଗ୍ରୀମ ବୁକିଂ ଓ ଜଣକ ଦ୍ୱାରା ୧୫୦୦ ରୁ ୨୦୦୦ ଟଙ୍କା ଯାଏଁ ବ୍ୟୟ ଭାରତୀୟ ଚଳଚ଼ିତ୍ର ଦର୍ଶକଙ୍କ ବର୍ଦ୍ଧିତ ମନୋରଞ୍ଜନ ଖର୍ଚ୍ଚର ସୂଚ଼ନା ଦେଉଥିବା ବିଶେଷଜ୍ଞମାନେ ଟିପ୍ପଣୀ ଦେଇଥାନ୍ତି ।

 

ଭାରତରେ ମହାମାରୀ-ପର ଅବସ୍ଥାରେ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନ ବ୍ୟବସାୟରେ ବ୍ୟାପକ ପରିବର୍ତ୍ତନ ଆଶା କରାଯାଏ । ପ୍ରେକ୍ଷାଳୟକୁ ଦର୍ଶକ କେବଳ ଚଳଚ଼ିତ୍ର ଉପଭୋଗ ନିମନ୍ତେ ଯିବା ପରିବର୍ତ୍ତେ କିଛି ସମୟ ପାଇଁ ଦୈନନ୍ଦିନ ଜୀବନରୁ ଅବ୍ୟାହତି ନେଇ ମନୋରଞ୍ଜନ ନିମନ୍ତେ ଖୋରାକ ଖୋଜୁଥିବା ଲକ୍ଷ୍ୟ କରାଯାଇପାରେ । ମଲଗୁଡ଼ିକରେ ମଲଟିପ୍ଳେକ୍ସ ସଂଲଗ୍ନ ହେବା ପରେ ଉପଭୋକ୍ତାମାନେ ଦୋକାନ ବଜାର ବୁଲା, କିଣାକିଣି, ବାହାରେ ଖାଇବା ସାଙ୍ଗକୁ ପିଲାଙ୍କ ଖେଳ ଓ ଚଳଚ଼ିତ୍ର ଦେଖା ଏକତ୍ର ପାଞ୍ଚରୁ ଛଅ ଘଣ୍ଟାର କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରିଥାନ୍ତି ।

 

ବଡ଼ ସହର ଅନୁକରଣରେ ଛୋଟ ସହରଗୁଡ଼ିକରେ ମଧ୍ୟ ଛୋଟକାଟର ମଲ ଗଢି ଉଠୁଛି । ଏଗୁଡ଼ିକ ସହ ଚଳଚିତ୍ର ପ୍ରେକ୍ଷାଳୟ ସଂଲଗ୍ନ ହେଲେ ଦର୍ଶକ ସଂଖ୍ୟା ବଢ଼ିବା ଆଶା କରାଯାଇପାରେ । ଅନୁଧ୍ୟାନରୁ ଜଣାଯାଏ ଯେ  ମଧ୍ୟମ ବର୍ଗର ସହରଗୁଡ଼ିକର ଏକକ ରୂପେଲି ପରଦା ବିଶିଷ୍ଟ  ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ କ୍ରମଶଃ ବହୁ ପରଦା ବିଶିଷ୍ଟ ମଲଟିପ୍ଳେକ୍ସରେ ପରିବର୍ତ୍ତିତ ହେବା ପ୍ରବାହ ‘ଟ୍ରେଣ୍ଡ’ ଆରମ୍ଭ ହୋଇଛି । ଏହା ଚଳଚ଼ିତ୍ର ଶିଳ୍ପ ଜଗତରେ ନୂତନ ଅଧ୍ୟାୟର ଅଂଶବିଶେଷ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଏପ୍ରିଲ ୨୦୨୨


ତଥ୍ୟ:



Kholi-Khandekar, Vanita, The rise of the pan-Indian film. Business Standard (Bhubaneswar Edition). February 24, 2022.

 

Pinto, Venkat Susan. Bellwood’s strong March to continue into April. Business Standard (Bhubaneswar Edition). April 11, 2022.

‘ପଠାନ’ର ହଜାରେ କୋଟି ଆୟ 

ଶାହ ରୁଖ ଖାନ ଅଭିନୀତ ‘ପଠାନ’ ୨୫ ଜାନୁୟାରୀ ୨୦୨୩ରେ ମୁକ୍ତିଲାଭ କରିବା ପରେ ୨୧ ଫେବୃୟାରୀ ୨୦୨୩, ପ୍ରଥମ ମାସର ୨୭ ଦିନ ମଧ୍ୟରେ ପ୍ରେକ୍ଷାଳୟ ପ୍ରଦର୍ଶନ ‘ବକ୍ସ ଅଫିସ’ରୁ ହଜାରେ କୋଟି ଟଙ୍କା ଆୟ ହିନ୍ଦି ଚ଼ଳଚ଼ିତ୍ର ଇତିହାସରେ ପ୍ରଥମ । ‘ପଠାନ’ର ପ୍ରଯୋଜକ ୟଶ ରାଜ ଫିଲ୍ମସ ପକ୍ଷରୁ ୨୧ ଫେବୃୟାରୀ ୨୦୨୩ରେ ଜାରୀ କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ଚଳଚ଼ିତ୍ରଟି ମୁକ୍ତିଲାଭ କରିବା ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରବ୍ୟାପୀ ପ୍ରେକ୍ଷାଳୟ ପ୍ରଦର୍ଶନରୁ ୬୨୩ କୋଟି ଟଙ୍କା ଏବଂ ବୈଦେଶିକ ରାଷ୍ଟ୍ରଗୁଡ଼ିକରୁ ୩୭୭ କୋଟି ଟଙ୍କା ଆୟ ହିସାବ କରାଯାଇଛି । ଏହି ଘଟଣାକ୍ରମ ବଲିଉଡ଼ ଚଳଚ଼ିତ୍ର ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲା ।

 

କୁହାଯାଏ ଯେ ହିନ୍ଦି ଚ଼ଳଚ଼ିତ୍ର ଅମୀର ଖାନ ଅଭିନୀତ ‘ଦଙ୍ଗଲ’ (୨୦୧୬)ର ମୋଟ ଆୟ ୧,୯୭୦ କୋଟି ଟଙ୍କା ସର୍ବକାଳୀନ ରେକର୍ଡ଼ । ଏହାପରକୁ ‘ବାହୁବଳୀ ୨ : ଦି କନକ୍ଳୁଜନ’ (୨୦୧୭) ୧,୮୦୦ କୋଟି, ‘କେ.ଜି. ଏଫ : ଚାପଟର ୨’ (୨୦୨୨) ୧,୨୩୦ କୋଟି ଏବଂ ‘ଆର.ଆର.ଆର’ (୨୦୨୨) ୧,୨୦୬ କୋଟି ଟଙ୍କା ଆୟ କରିଥିଲା । ଏକ ହଜାର କୋଟିରୁ ଉର୍ଦ୍ଧ୍ୱ ଆୟ ତାଲିକାରେ ‘ପଠାନ’ (୨୦୨୩) ଯୋଗ ଦେଇଥିଲା ।

 

ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ହିନ୍ଦି ଚଳଚ଼ିତ୍ର ଇତିହାସରେ ଏକ ହଜାର କୋଟି ଟଙ୍କା ବ୍ୟବସାୟ ଅତିକ୍ରମ କରିଥିବା ଏହି ପାଞ୍ଚଗୋଟି ଚଳଚ଼ିତ୍ର ମଧ୍ୟରୁ ଦୁଇଗୋଟି ମହାମାରୀ ପୂର୍ବରୁ ଏବଂ ତିନିଗୋଟି ମହାମାରୀ ପରବର୍ତ୍ତୀ ଅବସ୍ଥାରେ ମୁକ୍ତିଲାଭ କରିଥିଲା । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ମଧ୍ୟ ଭାଗରୁ ଭାରତରେ ଡ଼ିଜିଟାଲ ମଞ୍ଚର ବିକାଶ ହିନ୍ଦି ଚଳଚ଼ିତ୍ର ବ୍ୟବସାୟରେ ବିଘଟନ ସୃଷ୍ଟି କରିଥିବା ସତ୍ତ୍ୱେ ବୃହତ ଚଳଚ଼ିତ୍ରଗୁଡ଼ିକର ରେକର୍ଡ ପରିମାଣ ଆୟ ନୂତନ ସମୀକରଣ ସୃଷ୍ଟି କରିଛି । ପ୍ରଶ୍ନ ଉଠେ, ଡ଼ିଜିଟାଲ ମଞ୍ଚ ଓ ସୋସିଆଲ ମିଡ଼ିଆର ପ୍ରସାର ଏକ ପକ୍ଷରେ ପାରମ୍ପରିକ ଚଳଚ଼ିତ୍ର ଶିଳ୍ପ ନିମନ୍ତେ ପ୍ରତିକୂଳ ପରିବେଶର କାରଣ ପାଲଟିଥିବା ସ୍ଥଳେ ଅପର ପକ୍ଷରେ ବୃହତ ଚଳଚ଼ିତ୍ରଗୁଡ଼ିକରେ ପ୍ରଚାର, ପ୍ରସାର ଓ ଦର୍ଶକବର୍ଗଙ୍କୁ ପ୍ରଭାବିତ କରିବାରେ ସହାୟକ ହେଉଛି କି ?

 

କେତେକ ଚଳଚ଼ିତ୍ର ସମୀକ୍ଷକ ‘ପଠାନ’ ଚଳଚ଼ିତ୍ର ଶୁଭମୁକ୍ତି ପୂର୍ବାବସ୍ଥା କିମ୍ୱା ପରବସ୍ଥାରେ ପ୍ରଚାର ପ୍ରସାର ବାବଦରେ ଭିନ୍ନ ନୀତି ଅନୁସରଣ କରିଥିବା ସୂଚାଇଥାନ୍ତି । ‘ପଠାନ’ ଚଳଚ଼ିତ୍ର ନିର୍ମାଣରେ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସ୍ଥଳେ ବଲିଉଡ଼ର ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ବ୍ୟାପକ ପ୍ରଚାର ଓ ପ୍ରସାର ହେବା କଥା । କିନ୍ତୁ ସେ ସବୁ ଦେଖିବାକୁ ମିଳିନଥିଲା । ଚଳଚ଼ିତ୍ରର ନାୟକ ଶାହା ରୁଖ ଖାନଙ୍କ ବିଦଗ୍ଧ ଦର୍ଶକ ମଣ୍ଡଳୀ ‘ଫ୍ୟାନ କ୍ଳବ’ଗୁଡ଼ିକ ମାଧ୍ୟମରେ ପ୍ରଚାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

 

ସାଧାରଣରେ ତାମିଲ ଓ ତେଲୁଗୁ ଭାଷାଭାଷୀ ଅଞ୍ଚଳରେ ଫ୍ୟାନ କ୍ଳବ ଧାରା ବହୁଳ ପ୍ରଚଳିତ । ବଲିଉଡ଼ ଚଳଚ଼ିତ୍ର ତାରକାଙ୍କ ଫ୍ୟାନକ୍ଳବ ସଂଖ୍ୟା ସୀମିତ । ତେବେ ଶାହ ରୁଖ ଖାନଙ୍କ ପ୍ରଶଂସକଙ୍କ ସଂଖ୍ୟା ବିଶ୍ୱବ୍ୟାପୀ ତିନି ଶହ ୫୦ କୋଟି ହିସାବ କରାଯାଇଥାଏ । ‘ପଠାନ’ ଚଳଚ଼ିତ୍ର ଶୁଭମୁକ୍ତି ପୂର୍ବରୁ ଦେଶବିଦେଶରେ ଶାହ ରୁଖ ଖାନ ଫ୍ୟାନ କ୍ଳବର ସଦସ୍ୟମାନେ ସକ୍ରିୟ ହୋଇଉଠିଥିଲେ । ପ୍ରଯୋଜକଙ୍କ ପକ୍ଷରୁ ସାମାନ୍ୟ ପ୍ରଚାର ସାମଗ୍ରୀ ପ୍ରତ୍ୟେକ କ୍ଳବ ନିକଟରେ ପହୁଞ୍ଚାଇ ଦିଆଯାଇଥିଲା । ଫ୍ୟାନମାନେ ମୁଖ୍ୟତଃ ସୋସିଆଲ ମିଡ଼ିଆରେ ନିଜ ବଂଧୁବର୍ଗଙ୍କ ମଧ୍ୟରେ ‘ପଠାନ’ ଚଳଚ଼ିତ୍ର ସପକ୍ଷରେ ଅଭିମତ, ସମୀକ୍ଷା ଓ ନିବେଦନ ପ୍ରସାରିତ କଲେ । ମୂଳସ୍ରୋତ ବିଜ୍ଞାପନ ଅଭିଯାନ ଆୟୋଜନଠାରୁ ସୋସିଆଲ ମିଡ଼ିଆ ଓ ବ୍ୟକ୍ତିଗତସ୍ତରରେ ପ୍ରଚାର ବ୍ୟାପକ ଓ ଶକ୍ତିଶାଳୀ ଅନୁଭୂତ ହୋଇଥିଲା ।

 

ପାରମ୍ପରିକ ଢ଼ାଞ୍ଚାରେ ଖ୍ୟାତନାମା ବୃତ୍ତିଧାରୀ ସାମ୍ୱାଦିକମାନେ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଚଳଚ଼ିତ୍ର ସମୀକ୍ଷା ପ୍ରକାଶ କରିଥାନ୍ତି । ଏଥିରେ ପ୍ରାୟୋଜିତ ରଚ଼ନା ସଂଖ୍ୟା ଅଧିକ । ସାଧାରଣରେ ଦର୍ଶକମାନେ ଚଳଚ଼ିତ୍ର ସମୀକ୍ଷାଗୁଡ଼ିକ ତଥ୍ୟ ଆହରଣ ଭିନ୍ନ ଅଭିମତ ପ୍ରତି ଗୁରୁତ୍ୱ ଦେଇନଥାନ୍ତି । କିନ୍ତୁ ସୋସିଆଲ ମିଡ଼ିଆରେ କ୍ଷୁଦ୍ର ଗୋଷ୍ଠୀଗୁଡ଼ିକରେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାଧୀନ ମତ ପ୍ରକାଶ କରିବା କ୍ଷମତା ଅଧିକାରୀ ହୋଇଥିବା ହେତୁ ସମୀକ୍ଷାର ମାନ ଉନ୍ନତ ହୁଏ ଏବଂ ଗ୍ରହଣୀୟତା ବଢ଼େ । ସାଧାରଣ ପ୍ରଚାର ସତ୍ତ୍ୱେ ‘ପଠାନ’ ଶୁଭମୁକ୍ତି କରିବା ଆଗରୁ ୫୦ କୋଟି ଟଙ୍କାର ଅଗ୍ରୀମ ଟିକଟ ବିକ୍ରୀ ତଥା ଶୁଭମୁକ୍ତି ପରେ ପ୍ରଥମ ଛଅ ଦିନ ବକ୍ସ ଅଫିସ ଆୟ ପ୍ରତିଦିନ ଶହେ କୋଟି ଛୁଇଁବା ଏହାର ପ୍ରମାଣ ।

 

‘ପଠାନ’ର ସଫଳତା ପଛରେ ଦେଶର ରୁଗଣ ଏକକ ରୂପେଲି ପରଦା ‘ସିଙ୍ଗଲ ସ୍କିନ’ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ପୁନଃ ସକ୍ରିୟ ହୋଇଥିବା ଅନ୍ୟ ଏକ କାରଣ ରୂପେ ଚ଼ିହ୍ନଟ କରାଯାଉଛି । କେତେକ ହିସାବ ଅନୁଯାୟୀ ୨୦୨୩ ସୁଦ୍ଧା ଭାରତରେ ୮,୭୦୦ ରୂପେଲି ପରଦା କାର୍ଯ୍ୟକ୍ଷମ ଥିବା ସ୍ଥଳେ ୫,୨୦୦ ଗୋଟି ଏକକ ରୂପେଲି ପରଦା ବିଶିଷ୍ଟ ପ୍ରେକ୍ଷାଳୟ ଅନ୍ତର୍ଗତ । ବିଭିନ୍ନ କାରଣରୁ ଏକକ ରୂପେଲି ପରଦା ବିଶିଷ୍ଟ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ଦୁର୍ଦ୍ଦଶାଗ୍ରସ୍ତ ।

 

ଏକ ବିଶିଷ୍ଟ କାରଣରେ ଏଥି ମଧ୍ୟରୁ ୨,୫୦୦ ରୁ ୩,୦୦୦ ଗୋଟିରେ ଟିକଟ ବିକ୍ରୀ କମ୍ପ୍ୟୁଟରକରଣ ନହୋଇଥିବା ହେତୁ ଚଳଚ଼ିତ୍ର ପ୍ରଦର୍ଶନ ଲାଗି ପ୍ରଯୋଜକ ଓ ବିତରକମାନେ ସର୍ବନିମ୍ନ ଆୟ ‘ମିନିମମ ଗ୍ୟରେଣ୍ଟି’ ଦାବୀ କରିଥାନ୍ତି । ସାଧାରଣରେ ୮୦୦ ରୁ ହଜାରେ ସିଟ ବିଶିଷ୍ଟ ଏକକ ରୂପେଲି ପରଦା ବିଶିଷ୍ଟ ପ୍ରେକ୍ଷାଳୟଗୁଡ଼ିକ ସର୍ବନିମ୍ନ ଆୟ ଘୋଷଣା ପ୍ରତି ବିମୁଖ ହୋଇଥାନ୍ତି । ତେବେ ଶାହ ରୁଖ ଖାନଙ୍କ ଭଳି ପ୍ରତିଷ୍ଠିତ କଳାକାରଙ୍କ ଚଳଚ଼ିତ୍ର ଚାରି ବର୍ଷ ପରେ ପ୍ରଦର୍ଶିତ ହେଉଥିବା ହେତୁ ଏକକ ରୂପେଲି ପରଦା ବିଶିଷ୍ଟ ପ୍ରେକ୍ଷାଳୟଗୁଡ଼ିକରେ ଉନ୍ମାଦନା ଦେଖିବାକୁ ମିଳିଥିଲା । ଏକ ରିପୋର୍ଟ ଅନୁଯାୟୀ ମହାମାରୀ ପରଠାରୁ ବନ୍ଦ ଥିବା ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ଛତିଶଗଡ଼ର ୨୫ ଗୋଟି ଏକକ ରୂପେଲି ପରଦା ବିଶିଷ୍ଟ ପ୍ରେକ୍ଷାଳୟ ‘ପଠାନ’ ଚଳଚ଼ିତ୍ର ପ୍ରଦର୍ଶନ ସହ ପୁଣି ଖୋଲିଥିଲା ।

 

‘ପଠାନ’ର ବ୍ୟାବସାୟିକ ସଫଳତା ଓ ଦର୍ଶକଙ୍କ ଗ୍ରହଣୀୟତା ନିମନ୍ତେ ଚଳଚ଼ିତ୍ର ପ୍ରଯୋଜନାରେ ଅତ୍ୟାଧୁନିକ ବୈଷୟିକ କୌଶଳ ବ୍ୟବହାରକୁ ମଧ୍ୟ ଶ୍ରେୟ ଦିଆଯାଏ । ଚଳଚ଼ିତ୍ରଟି ଆଇମ୍ୟାକ୍ସ କ୍ୟାମରାରେ ଚ଼ିତ୍ରିତ ହୋଇଥିବା ସ୍ଥଳେ ଆକ୍ସନ ଦୃଶ୍ୟାବଳୀ ନିମନ୍ତେ ଭିଜୁଆଲ ଇଫେକ୍ଟ ଜ୍ଞାନକୌଶଳ ପ୍ରୟୋଗ କରାଯାଇଥିଲା । ଏହି କାରଣରୁ ଚଳଚ଼ିତ୍ରର ପ୍ରଦର୍ଶନଗତ ଗୁଣବତ୍ତା ବୃଦ୍ଧି ପାଇଥିବା ସୁସ୍ପଷ୍ଟ । ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ‘ପଠାନ’ରେ ଶାହରୁଖ ଖାନ, ଦୀପିକା ପାଡ଼ୋକନ, ଜନ ଆବ୍ରାହମଙ୍କ ସହ ଅତିଥି କଳାକାରଭାବେ ସଲମନ ଖାନ ଅଭିନୟ କରିଥିଲେ ।

 

ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ବାର୍ଷିକ ୧୯,୧୦୦ କୋଟି ଟଙ୍କା ବ୍ୟବସାୟ ହୁଏ । ଏଥି ମଧ୍ୟରୁ ଅର୍ଦ୍ଧେକ ହିନ୍ଦି ଚଳଚ଼ିତ୍ର ଭରଣା କରିଥାଏ । ସର୍ବାଧିକ ଆୟରେ ରେକର୍ଡ କରିଥିବା ଦଙ୍ଗଲର ବକ୍ସ ଅଫିସ ଆୟ ପ୍ରଦର୍ଶନର ପ୍ରଥମ ପର୍ଯ୍ୟାୟରେ ୭୦୦ କୋଟି ଟଙ୍କା ଥିବା ସ୍ଥଳେ ପଠାନ ହଜାରେ କୋଟି ସୀମା ଛୁଇଁଥିବା ବଲିଉଡ଼ରେ ସକାରାତ୍ମକ ପରିବେଶ ସୃଷ୍ଟି କରିବା ସ୍ୱାଭାବିକ । ତେବେ ବୃହତ ଚଳଚ଼ିତ୍ର ପ୍ରଦର୍ଶନରେ ବର୍ଦ୍ଧିତ ଆୟ ହିନ୍ଦି ଚଳଚ଼ିତ୍ର ଶିଳ୍ପକୁ ସାମଗ୍ରୀକଭାବେ ବଞ୍ଚାଇ ରଖିବାରେ କେତେଦୂର ସହାୟକ ହେବ ତାହା ଏକ ପ୍ରଶ୍ନବାଚୀ । କାରଣ ବର୍ଷରେ ପାଞ୍ଚ-ସାତ ଗୋଟି ହିଟ ଚଳଚ଼ିତ୍ରକୁ ପାଥେୟ କରି ଅନ୍ତତଃପକ୍ଷେ ୫,୨୦୦ ଏକକ ରୂପେଲି ପରଦା ବିଶିଷ୍ଟ ପ୍ରେକ୍ଷାଳୟ ଚଳାଇବା ସଂଭବ ନୁହେ । ମଲଟିପ୍ଳକ୍ସଗୁଡ଼ିକରେ ତିନିରୁ ଛଅ ଯାଏଁ ରୂପେଲି ପରଦା ଓ ପ୍ରତ୍ୟେକ ପରଦା ପାଇଁ ୧୦୦ ରୁ ୪୦୦ ସିଟର ଗଣିତ ୮୦୦ ରୁ ୧୦୦୦ ସିଟ ବିଶିଷ୍ଟ ଏକକ ରୂପେଲି ପରଦା କ୍ଷେତ୍ରରେ ବ୍ୟାବସାୟିକ ସଫଳତାରେ ସହାୟକ ହେବା ଅନିଶ୍ଚିତ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୪ ଫେବୃୟାରୀ ୨୦୨୩


ତଥ୍ୟ :

 

Pathaan creates history, reaches Rs 1,000 Cr mark in worldwide gross. Business Standard (Bhubaneswar Edition). February 22, 2023

 

Kohli-Khandekar. Vanita. Pathaan, fan clubs, and single screen. Business Standard (Bhubaneswar Edition). February 21, 2023

ବଲିଉଡ଼ର ବୈଦେଶିକ ବଜାର

ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ‘ବଲିଉଡ଼’ର ହିନ୍ଦୀ ଚଳଚ଼ିତ୍ର କ୍ରମଶଃ ବୈଦେଶିକ ବଜାର ସୃଷ୍ଟି କରିବାରେ ସମର୍ଥ ହୋଇପାରିଛି । ‘ହଲିଉଡ଼’ର ଇଂଲିଶ ଚଳଚ଼ିତ୍ର ସମଗ୍ର ବିଶ୍ୱରେ ପ୍ରଦର୍ଶିତ ହେଉଥିବା ସ୍ଥଳେ ‘ବଲିଉଡ଼’ ଚଳଚ଼ିତ୍ର ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା ଓ ମଧ୍ୟ-ଏସିଆର କେତେକ ରାଷ୍ଟ୍ରରେ ହିନ୍ଦୀ ଚଳଚ଼ିତ୍ର ପ୍ରଦର୍ଶନ ନିମନ୍ତେ ବ୍ୟବସାୟିକ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି । ବୈଦେଶିକ ବଜାରରେ ସଫଳତା ଲାଭ କରିଥିବା କେତେକ ହିନ୍ଦୀ ଚଳଚ଼ିତ୍ର ଭାରତରେ ଯେତିକି ଆୟ କରିଛି ବିଦେଶରେ ତାହାଠାରୁ ଢ଼େର ଅଧିକ ଆୟ କରିଥିବା ହିସାବ କରାଯାଉଛି ।


 

ବୈଦେଶିକ ବଜାରରେ ହିଟ ହୋଇଥିବା ହିନ୍ଦୀ ଚଳଚ଼ିତ୍ର ମଧ୍ୟରେ ‘ଦଙ୍ଗଲ’ର ଉଦାହରଣ ଶୀର୍ଷସ୍ଥାନ ଅଧିକାର କରିଥାଏ ।‘ଦଙ୍ଗଲ’ର ଭାରତୀୟ ବଜାରରେ ଆୟପ୍ରାୟ ୫୫୦ କୋଟି ଟଙ୍କା ହୋଇଥିବା ସ୍ଥଳେ ଭାରତ ସମେତ ବୈଦେଶିକ ବଜାରରୁ ସମୁଦାୟ ପ୍ରାୟ ୨୦୧୫ କୋଟି ଟଙ୍କା ଆୟ କରିଥିଲା। ସେହିପରି ‘ବଜରଙ୍ଗୀ ଭାଇଜାନ’ ଭାରତୀୟ ବଜାରରେ ପ୍ରାୟ ୩୧୫ କୋଟି ଟଙ୍କା ପାଇଥିବା ସ୍ଥଳେ ଭାରତ ସମେତ ବୈଦେଶିକ ବଜାରରୁ ସମୁଦାୟ ପ୍ରାୟ ୭୫୬ କୋଟି ଟଙ୍କା ଆୟ କରିଥିଲା ।


 

ଭାରତୀୟ ଉଚ୍ଚଶିକ୍ଷା କ୍ଷେତ୍ରରେ ସମସ୍ୟା ଉପରେ ଆଧାରିତ ୨୦୦୯ରେ ନିର୍ମିତ ‘ଥ୍ରୀ ଇଡ଼ିୟଟସ’ ୨୦୧୧ରେ ତାଇୱାନରେ ପ୍ରଦର୍ଶିତ ହୋଇ ସଫଳତା ହାସଲ କରିବାପରେ ହଂଙ୍ଗକଙ୍ଗ ଓ ଚ଼ୀନରେ ମଧ୍ୟ ଭଲ ବ୍ୟବସାୟ କରିଥିଲା । ହିନ୍ଦୀ ଚଳଚ଼ିତ୍ର ଭାରତ ବାହାରେ ଭଲ ବ୍ୟବସାୟ କରିବାରେ ‘ଥ୍ରୀ ଇଡ଼ିୟଟସ’ ହିଁ ନୂତନ ଧାରା ସୂତ୍ରପାତ କରାଇଥିଲା । ଭାରତରେ ନିରୁଦ୍ଦିଷ୍ଟ ଜଣେ ପାକିସ୍ଥାନୀ ବାଳିକାର କାହାଣୀ ଉପରେ ଆଧାରିତ ୨୦୧୫ରେ ନିର୍ମିତ ‘ବଜରଙ୍ଗୀ ଭାଇଜାନ’ ମୁଖ୍ୟତଃ ଚ଼ୀନରେ ହିଟ ଚଳଚ଼ିତ୍ର ଭାବେ ବିବେଚ଼ିତ ହୋଇଥିଲା । ତେବେ ଦୁଇଜଣ କନ୍ୟାଙ୍କୁ କୁସ୍ତି ବିଶାରଦଭାବେ ଗଢ଼ିବା କାହାଣୀ ଉପରେ ଆଧାରିତ ୨୦୧୬ରେ ନିର୍ମିତ ‘ଦଙ୍ଗଲ’ ଭାରତରେ ପ୍ରାୟ ୫୫୦ କୋଟି ଟଙ୍କା ଆଦାୟ କରିଥିବାବେଳେ ଚ଼ୀନ ବଜାରରେ ପ୍ରାୟ ୧୨୫୫ କୋଟି ଟଙ୍କା ବ୍ୟବସାୟ କରିଥିଲା ।


 

ଚ଼ୀନରେ ବଲିଉଡ଼ ଚଳଚ଼ିତ୍ରର ଲୋକପ୍ରିୟତା ବୃଦ୍ଧିର କେତେଗୋଟି କାରଣ ବନିତା କୋହଲି- ଖଣ୍ଡେକରଙ୍କ ଭଳି ଗଣମାଧ୍ୟମ ସମୀକ୍ଷକମାନେ ଚ଼ିହ୍ନଟ କରୁଛନ୍ତି । ମୁଖ୍ୟତଃ ଚଳିତ ଦଶନ୍ଧିରେ ଚ଼ୀନରେ ପରିବର୍ତ୍ତିତ ସରକାରୀ ନୀତି ଅନୁଯାୟୀ ପୁରପଲ୍ଲୀରେ ବିପୁଳ ସଂଖ୍ୟକ ପ୍ରେକ୍ଷାଳୟ ଖୋଲିଛି । ୨୦୧୧ରେ ସେଠାରେ ମାତ୍ର ୯ ହଜାର ଚଳଚ଼ିତ୍ର ପ୍ରେକ୍ଷାଳୟ ଥିବାବେଳେ ୨୦୧୮ ବେଳକୁ ପଚ଼ାଶ ହଜାରକୁ ବୃଦ୍ଧି ପାଇଛି । ଅଧିକ ସଂଖ୍ୟକ ପ୍ରେକ୍ଷାଳୟ କାରଣରୁ ଅଧିକ ସଂଖ୍ୟକ ଦର୍ଶକ ବକ୍ସ ଅଫିସରେ ଟିକଟ କିଣୁଥିବା ହେତୁ ପ୍ରଦର୍ଶନଜନିତ ଆୟ ବଢ଼ିବାରେ ଲାଗିଛି । ବଲିଉଡ଼ ଚଳଚ଼ିତ୍ରଗୁଡ଼ିକ ଏଥିରୁ ଫାଇଦା ନେଉଛନ୍ତି । ଏହାଛଡ଼ା ଚ଼ୀନ ଭାରତର ପଡ଼ୋଶୀ ରାଷ୍ଟ୍ର ହୋଇଥିବା ଯୋଗୁଁ ସାଂସ୍କୃତିକ ସାମ୍ୟତା ବଲିଉଡ଼ ଚଳଚ଼ିତ୍ର ଚ଼ୀନ ଦର୍ଶକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁଛି । ସର୍ବୋପରି ହଲିଉଡ଼ ପଛକୁ ବଲିଉଡ଼ ଚଳଚ଼ିତ୍ର ନିର୍ମାଣରେ ଉତ୍କର୍ଷତା ପ୍ରତିପାଦିତ କରୁଥିବା ହେତୁ ହିନ୍ଦୀ ଚଳଚ଼ିତ୍ରଗୁଡ଼ିକ ବିଶ୍ୱବ୍ୟାପୀ ସ୍ୱୀକୃତି ହାସଲ କରିପାରୁଥିବା ଲକ୍ଷ୍ୟ କରାଯାଇପାରେ।


 

କୁହାଯାଉଛି ଯେ ଚ଼ୀନରେ ହଲିଉଡ଼ର ‘ଦି ଫାଷ୍ଟ ଏଣ୍ଡ ଫ୍ୟୁରିୟସ’ ଏବଂ ‘ଟ୍ରାନ୍ସଫରମରର୍ସ : ଦି ଲାଷ୍ଟ ନାଇଟ’ ଭଳି ହିଟ ଚଳଚ଼ିତ୍ର ତୁଳନାରେ ‘ଦଙ୍ଗଲ’ ବକ୍ସ ଅଫିସରେ ଅଧିକ ଆୟ କରିଥିଲା । ସେହିପରି ଭାରତରେ ପ୍ରାୟତଃ ଅନାଲୋଚ଼ିତ ‘ସିକ୍ରେଟ ସୁପରଷ୍ଟାର’ ଭଳି ଚଳଚ଼ିତ୍ର ‘ଷ୍ଟାର ୱାରସ : ଦି ଲାଷ୍ଟ ଜେଦି’ଠାରୁ ଭଲ ବ୍ୟବସାୟ କରିଛି ।‘ସିକ୍ରେଟ ସୁପରଷ୍ଟାର’ର କାହାଣୀ ଜଣେ ୧୪ ବର୍ଷୀୟ ବାଳିକାର ଜୀବନଯାତ୍ରାକୁ ନେଇ ଗଢ଼ି ଉଠିଛି । ଜଣେ ଗାୟିକା ହେବାପାଇଁ ସେ କିପରି ବିଭିନ୍ନ ସୋପାନ ଦେଇ ଗତି କରୁଛି ତାହାହିଁ ଚଳଚ଼ିତ୍ରର ବିଷୟବସ୍ତୁ ।


 

ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଭାରତରେ ମଲ୍ଟିପ୍ଳେକ୍ସ ଚଳଚ଼ିତ୍ର ପ୍ରେକ୍ଷାଳୟର ସଂଖ୍ୟା ବୃଦ୍ଧି ବଲିଉଡ଼ ଚଳଚ଼ିତ୍ରକୁ ପ୍ରଭାବିତ କରିଥିବା ସ୍ଥଳେ ଦ୍ୱିତୀୟ ଦଶକରେ ବୈଦେଶିକ ବଜାର ସୃଷ୍ଟି ଚଳଚ଼ିତ୍ର ନିର୍ମାଣ ଶୈଳୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସୂତ୍ରପାତ କରାଇବାରେ ସମର୍ଥ ହୋଇଥିବା ଲକ୍ଷ୍ୟ କରାଯାଇପାରେ । ଅପେକ୍ଷାକୃତ ଶିକ୍ଷିତ, କଳାପ୍ରିୟ ଓ ସଂସ୍କୃତିସମ୍ପନ୍ନ ଦର୍ଶକମଣ୍ଡଳୀଙ୍କ ରୁଚ଼ିକୁ ସୁହାଇବା ଭଳି ଚଳଚ଼ିତ୍ର ନିର୍ମାଣ କାଳରେ କାହାଣୀ, ଚରିତ୍ରଚ଼ିତ୍ରଣ, ଫୋଟଗ୍ରାଫି, ସମ୍ପାଦନା ଇତ୍ୟାଦି କ୍ଷେତ୍ରରେ ଉତ୍କର୍ଷତା ପ୍ରତି ଗୁରୁତ୍ୱରୋପ କରାଯାଉଛି । ମୋଟ ଉପରେ ବଲିଉଡ଼ ଚଳଚ଼ିତ୍ରର ମାନ ବଢ଼ିବାରେ ଲାଗିଛି ।


 

ଜଗତୀକରଣ ପ୍ରଭାବରେ ଆନ୍ତର୍ଜାତିକସ୍ତରରେ ବିଭିନ୍ନ ପ୍ରାନ୍ତର ଚଳଚ଼ିତ୍ର କ୍ରମଶଃ ଅନ୍ୟାନ୍ୟ ଅଞ୍ଚଳର ଦର୍ଶକ ମହଲରେ ଲୋକପ୍ରିୟ ହୋଇପାରୁଥିବା ଲକ୍ଷ୍ୟ କରାଯାଇପାରେ । ଇଣ୍ଟରନେଟ ମଞ୍ଚରେ ଦେଶବିଦେଶର ଚଳଚ଼ିତ୍ର ସହଜରେ ଦର୍ଶକମାନେ ଉପଭୋଗ କରିପାରିବା ସୁଯୋଗ ଉପଲବ୍ଧ । ଚଳଚ଼ିତ୍ରଗୁଡ଼ିକରେ ସବ୍-ଟାଇଟଲ ବ୍ୟବହାର ବୃଦ୍ଧି ପାଇବା ଫଳରେ ବିଭିନ୍ନ ପ୍ରାନ୍ତର ଦର୍ଶକ ବିଭିନ୍ନ ଭାଷାଭାଷୀ ଚଳଚ଼ିତ୍ରଗୁଡ଼ିକର ସଂଳାପ ସହଜରେ ବୁଝିପାରିବାରୁ ବିଦେଶୀ ଚଳଚ଼ିତ୍ର ପ୍ରତି ଆକୃଷ୍ଟ ହେଉଛନ୍ତି ।


 

ମୋବାଇଲ ଫୋନ ପରଦାରେ ଚଳଚ଼ିତ୍ର ଉପଭୋଗ ଧାରା ବିଶ୍ୱବ୍ୟାପୀ ଲୋକପ୍ରିୟ ହୋଇଚ଼ାଲିଥିବା ଅବସରରେ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନରେ ଏକ ନୂତନ ସମୀକରଣ ସୃଷ୍ଟି ଆଶା କରାଯାଇପାରେ । ଏଭଳି ପରିବେଶ ମୁଖ୍ୟତଃ ପାରମ୍ପରିକ ଚଳଚ଼ିତ୍ର ନିର୍ମାଣ ଧାରାର ଏକ ବିକଳ୍ପ ସୃଷ୍ଟି କରିପାରେ । ନିର୍ମାତା ଓ ନିର୍ଦ୍ଦେଶକମାନେ ଅଧିକରୁ ଅଧିକ ଅନୋଲୋଚ଼ିତ ବିଷୟବସ୍ତୁ ଉପରେ ଆଧାରିତ ଚଳଚ଼ିତ୍ର ନିର୍ମାଣ କରିବେ ଏବଂ ସୁପରିଚ଼ିତ ଅଭିନେତାଙ୍କ ବଦଳରେ ନବାଗତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ସେହିପରି ଚଳଚ଼ିତ୍ର ଅବଧି କମିଯାଇପାରେ । ପ୍ରେକ୍ଷାଳୟରେ ପ୍ରଦର୍ଶିତ ଚଳଚ଼ିତ୍ରର ଏକ ବିକଳ୍ପ ବଜାର ସୃଷ୍ଟି ଚଳଚ଼ିତ୍ର ଶିଳ୍ପରେ ଏକ ନୂତନ ପରିବେଶ ପ୍ରବର୍ତ୍ତନ କରିପାରେ ।


 

ବଲିଉଡ଼ ଚଳଚ଼ିତ୍ରର ବୈଦେଶିକ ବଜାର ସୃଷ୍ଟି ପ୍ରକାରନ୍ତେ ଭାରତୀୟ ଆଞ୍ଚଳିକ ଭାଷାର ଚଳଚ଼ିତ୍ରଗୁଡ଼ିକ ନିମନ୍ତେ ବୈଦେଶିକ ବ୍ୟବସାୟ ନିମନ୍ତେ ସମ୍ଭାବନାର ଦ୍ୱାର ଖୋଲିଦେଇଛି ବୋଲି କୁହାଯାଇପାରେ । ଯେକୌଣସି ଭାଷାରେ ନିର୍ମିତ ଚଳଚ଼ିତ୍ର ଯଦି ଦର୍ଶକଙ୍କ ଭାବାବେଗକୁ ସ୍ୱର୍ଶ କରିପାରିବ ତେବେ ତାହାର ଲୋକପ୍ରିୟତା ଆଶା କରାଯାଇପାରେ ।‘ବାହୁବଳୀ’ ଓ ‘ବାହୁବଳୀ ୨’ ଭଳି ମୂଳ ତେଲୁଗୁ ଭାଷାରେ ନିର୍ମିତ ଚଳଚ଼ିତ୍ର ବୈଦେଶିକ ବଜାର ନିମନ୍ତେ ପ୍ରସ୍ତୁତ ହେଉଥିବା ଜଣାଯାଏ । ସାମଗ୍ରିକଭାବେ ଦୀର୍ଘବର୍ଷ ପରେ ଭାରତୀୟ ଚଳଚ଼ିତ୍ର ବିଶ୍ୱ ଦରବାରରେ କର୍ତ୍ତୃତ୍ୱ ଜାହିର କରିବା ନିମନ୍ତେ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୦ ମାର୍ଚ୍ଚ ୨୦୧

ଚଳଚ଼ିତ୍ର ଶିଳ୍ପରେ ସମ୍ଭାବ୍ୟ ପରିବର୍ତ୍ତନ

ଯାନ୍ତ୍ରିକ ବିଜ୍ଞାନ କ୍ଷେତ୍ରରେ ନୂତନ ଉଦ୍ଭାବନ କ୍ରମାଗତଭାବେ ଚଳଚ଼ିତ୍ର ଶିଳ୍ପକୁ ପ୍ରଭାବିତ କରିଆସିଛି । ମୂଳତଃ ଚଳଚ଼ିତ୍ର ହିଁ ଏକ ଉଦ୍ଭାବନ । ନିର୍ବାକ ଚଳଚ଼ିତ୍ରରୁ ଅନ୍ତର୍କ୍ରିୟା ବା ‘ଇଣ୍ଟରେକ୍ଟିଉଭ’ ସିନେମା ଯାଏଁ ଶହେ ବର୍ଷରୁ ଉର୍ଦ୍ଧ୍ୱ ସମୟ ଇତିହାସର ପ୍ରତିଟି ସୋପନରେ ପରିବର୍ତ୍ତନର ସ୍ୱର ଶାଣିତ । ନିକଟ ଅତୀତରେ ଗୁରୁତ୍ୱ ଲାଭ କରିଥିବା ବିଗ ଡ଼ାଟା, ଭରଚୁଆଲ ରିଆଲିଟି, ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଓ ଇଣ୍ଟରେକ୍ଟିଭିଟି ଇତ୍ୟାଦି ଉଦ୍ଭାବନ ମନୋରଞ୍ଜନ ଦୁନିଆରେ ନୂତନ ସମୀକରଣ ସୃ଼ଷ୍ଟି କରିଛି । ଏଭଳି ପରିବେଶରେ ଚଳଚ଼ିତ୍ର ଶିଳ୍ପରେ ସମ୍ଭାବ୍ୟ ଭବିଷ୍ୟତ ଆକଳନ ରୋମାଞ୍ଚକର ।


 

ଭାରତୀୟ ଚଳଚ଼ିତ୍ର ଶିଳ୍ପ ଆଗଧାଡ଼ିର ଅଭିନେତା ତଥା ପ୍ରଯୋଜକ ଶାହାରୁଖ ଖାନ ଫେବୃୟାରୀ ୨୦୧୮ରେ ଏଭଳି ପରିବର୍ତ୍ତନ ସଂପର୍କରେ କେତେକ ଉପାଦେୟ ତଥ୍ୟ ଉପସ୍ଥାପନ କରିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ‘ଇକନୋମିକ ଟାଇମ୍ସ ଗ୍ଳୋବାଲ ବିଜିନେସ ସମିଟ’ରେ ଉଦବୋଧନ ଅବସରରେ ପାଞ୍ଚଗୋଟି ସମ୍ଭାବନା ପ୍ରତି ତାଙ୍କରି ଗୁରୁତ୍ୱାରୋପ ଯୁକ୍ତିଯୁକ୍ତ ମନେହୁଏ ।


 

ପ୍ରଥମତଃ ‘ବିଗ ଡ଼ାଟା’ ଚଳଚ଼ିତ୍ର ନିର୍ମାଣ ଓ ମାର୍କେଟିଂକୁ ନିୟନ୍ତ୍ରିତ କରିବ ।‘ବିଗ ଡ଼ାଟା’ ଅର୍ଥାତ ବହୁମାତ୍ରାରେ ବହୁମୁଖୀ ପରିସଂଖ୍ୟାନ ବ୍ୟବହାର ଚଳଚ଼ିତ୍ରର କାହାଣୀ ରଚ଼ନାଠାରୁ ଆରମ୍ଭ କରି ପ୍ରେକ୍ଷାଳୟରେ ପ୍ରଦର୍ଶନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନସମ୍ମତ୍ତ ବାସ୍ତବାନୁଭୂତି ଉପଯୋଗର ଅବକାଶ ସୃଷ୍ଟି କରିବ ।


 

ଉଦାହରଣ ସ୍ୱରୂପ କେଉଁ ଧରଣର, କେଉଁଭଳି ଦୃଶ୍ୟ ସଂବଳିତ ତଥା କେଉଁ ଶୈଳୀର ସଂଳାପ ଦର୍ଶକମହଲରେ ଆଦୃତ ହୋଇପାରୁଛି ତାହାର ଟିକିନିଖି ଗବେଷଣାଜନିତ ବିବରଣୀ ପାଇପାରିବା ଦ୍ୱାରା ଚଳଚ଼ିତ୍ରର କାହାଣୀ, ଚ଼ିତ୍ରନାଟ୍ୟ ତଥା ସଂଳାପ ଲେଖକମାନେ ତଦ୍ଅନୁଯାୟୀ ଉତ୍ପାଦ ପ୍ରସ୍ତୁତ କରିପାରିବେ । ସେହିପରି କେଉଁ ସମୟରେ, କେଉଁଭଳି ପରିସ୍ଥିତିରେ ଚଳଚ଼ିତ୍ର ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରୁଛି ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ପାଇପାରିବା ଫଳରେ ବ୍ୟବସାୟରେ ସଂପୃକ୍ତ କର୍ମଚ଼ାରୀମାନେ ଯଥାସଂଭବ ଅଧିକ ବ୍ୟବସାୟିକ ଲାଭ ହାସଲ ନିମନ୍ତେ ଋଣନୀତି ପ୍ରସ୍ତୁତ କରିପାରିବେ ।


 

‘ଡ଼ାଟା’ ବା ତଥ୍ୟ ଅଭାବରେ ସର୍ଜନଶୀଳତା ହେଉ ବା ବ୍ୟବସାୟ, ସବୁକ୍ଷେତ୍ରରେ ଅନୁମାନିକ ବା ‘ହାଇପୋଥିଟିକାଲ’ସ୍ତରରେ କାର୍ଯ୍ୟ ସମାହିତ ହୋଇଥାଏ । କିନ୍ତୁ ବାସ୍ତବତା ସଂପର୍କରେ ନିର୍ଭରଯୋଗ୍ୟ ତଥ୍ୟାବଳୀ ହାତପାଆନ୍ତାରେ ପାଇବା ଓ ତାହା ବିଚ଼ାରକୁ ନେଇ ଉତ୍ପାଦ ପ୍ରସ୍ତୁତି ଓ ପରିଚ଼ାଳନା ଦ୍ୱାରା ଉଭୟ କ୍ଷେତ୍ରରେ ଉତ୍କର୍ଷା ହାସଲ ସଂଭବପର ।


 

ଦ୍ୱିତୀୟତଃ ଚଳଚ଼ିତ୍ର ନିର୍ମାଣଜନିତ ପାରମ୍ପରିକ ଢ଼ାଞ୍ଚାରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ । ବିଭିନ୍ନ ପ୍ରାନ୍ତରେ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ଦୀର୍ଘ କାଳ ଧରି ଏକକ ଶୈଳୀ ବ୍ୟବହୃତ ହୋଇ ଆସୁଥିବା ସ୍ଥଳେ ଭବିଷ୍ୟତରେ ବିବିଧତା ଆଶା କରାଯାଇପାରେ । ଯେପରିକି ଧରାବନ୍ଧା କାହାଣୀ ଚଳଚ଼ିତ୍ରର ସଫଳତା ନିମନ୍ତେ ଅପରିହାର୍ଯ୍ୟ ବୋଲି ମାନସିକତାରୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ କ୍ରମଶଃ ଓହରି ଆସୁଥିବା ବେଳେ ଭବିଷ୍ୟତରେ ତାହା ତୀବ୍ର ହୋଇପାରେ । କାହାଣୀ ଓ ଚ଼ରିତ୍ର ଚ଼ିତ୍ରଣରେ ସଂପ୍ରସାରିତ ଦୃଷ୍ଟିଭଙ୍ଗୀ ଚଳଚ଼ିତ୍ର ଉପଭୋଗରେ ନୂତନ ଦର୍ଶକୀୟ ଅନୁଭୂତି ଆଣିଦେବ ।


 

ଶାହରୁଖ ଖାନଙ୍କ ଉପପାଦ୍ୟରେ ପୂର୍ଣ୍ଣାଙ୍ଗ ବା ‘ଫିଚ଼ର’ଚଳଚ଼ିତ୍ରର ଦୈର୍ଘ୍ୟ କମିଆସିବ । ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନରେ ମଧ୍ୟାନ୍ତର ରହିବ ନାହିଁ । ପୂର୍ଣ୍ଣାଙ୍ଗ ଚଳଚ଼ିତ୍ର ହୁଏତ ଏକ ଘଣ୍ଟା ମଧ୍ୟରେ ଆବଦ୍ଧ ରହିବ । ଆଧୁନିକ ଜୀବନଯାତ୍ରାରେ କୌଣସି କାର୍ଯ୍ୟ ନିମନ୍ତେ ଦୀର୍ଘ ସମୟ ବିନିଯୋଗ ସମ୍ଭବପର ହୋଇପାରୁନଥିବା ତଥା ଦର୍ଶକମାନଙ୍କ ଧୈର୍ଯ୍ୟ ରହୁନଥିବା କାରଣରୁ କମ ସମୟ ପ୍ରଦର୍ଶନଯୋଗ୍ୟ ଚଳଚ଼ିତ୍ର ଲୋକପ୍ରିୟତା ହାସଲ କରିବ । ଅନ୍ୟପକ୍ଷରେ ମୋବାଇଲ ଫୋନ ପର୍ଦ୍ଦା କ୍ରମଶଃ ଚଳଚ଼ିତ୍ର ଉପଭୋଗର ମାଧ୍ୟମ ପାଲଟୁଥିବା ଅବସରରେ ଏଥିରେ ପ୍ରଦର୍ଶିତ କାର୍ଯ୍ୟକ୍ରମ ସୀମିତ ଅବଧିର ହେବା ବାଞ୍ଚନୀୟ ।


 

ତୃତୀୟରେ ଚଳଚ଼ିତ୍ର ନିର୍ମାଣଲାଗି ନିବେଶର ଧାରା ବଦଳିବା ଆଶା କରାଯାଇପାରେ । ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ବର୍ତ୍ତମାନ ସୃଜନ ରଚ଼ନା, ପତ୍ରିକା ପ୍ରକାଶନ, କ୍ଷୁଦ୍ର ଚଳଚ଼ିତ୍ର ନିର୍ମାଣ ନିମନ୍ତେ ସାମୂହିକ ପାଣ୍ଠି ସଂଗ୍ରହ ବା ‘କ୍ରାଉଡ଼ ସୋରର୍ସିଂ’ ଧାରା ପ୍ରବର୍ତ୍ତନ ପ୍ରସାର ଲାଭ କରୁଥିବାସ୍ଥଳେ ଭବିଷ୍ୟତରେ ତାହା ସମଗ୍ର ଚଳଚ଼ିତ୍ର ଶିଳ୍ପକୁ କବଳିତ କରିପାରେ । ଅର୍ଥାତ ବର୍ତ୍ତମାନ ଚଳଚ଼ିତ୍ର ନିର୍ମାଣକୁ ଏକ ବ୍ୟବସାୟରୂପେ ନିବେଶ ଓ ମୁନାଫା ସଂଗ୍ରହର ମାଧ୍ୟମ ଭାବେ ଗ୍ରହଣ କରାଯାଉଥିବା ସ୍ଥଳେ ‘କ୍ରାଉଡ଼ ସୋରର୍ସିଂ’ ଧାରାରେ ଏକ ନିର୍ଦ୍ଦିଷ୍ଟ ଢ଼ଙ୍ଗରେ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ଅସଂଖ୍ୟ ଅନୁରାଗୀ ଅଳ୍ପ ଅଳ୍ପ ଅର୍ଥ ବିନିଯୋଗ କରିବେ ଏବଂ ଅନେକଙ୍କଠାରୁ ସଂଗୃହୀତ ଅର୍ଥ ଏକ ବୃହତ ପାଣ୍ଠିରେ ଏକତ୍ରୀତ ହୋଇ ଚଳଚ଼ିତ୍ର ନିର୍ମିତ ହେବ ।


 

ଏଥି ଯୋଗୁଁ ଦୁଇଗୋଟି ଲାଭ ହେବ । ଏକ ପକ୍ଷରେ ଏକ ନିର୍ଦ୍ଦିଷ୍ଟ ନିବେଶକ ବଦଳରେ ଅସଂଖ୍ୟ ନିବେଶକଙ୍କ ସଂପୃକ୍ତି କାରଣରୁ ବ୍ୟବସାୟିକ ପରିଧିରେ ଚଳଚ଼ିତ୍ର ନିର୍ମିତ ହେବା ଫଳରେ ଲେଖକ, ନିର୍ଦ୍ଦେଶକ, ଅଭିନେତା ଇତ୍ୟାଦି କଳାକାରଙ୍କୁ ଅଧିକରୁ ଅଧିକ ସର୍ଜନଶୀଳ ହେବା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ସୃଷ୍ଟି ହେବ । ଅପରପକ୍ଷରେ ଗତାନୁଗତିକ ଧାରାରେ ଚଳଚ଼ିତ୍ର ନିର୍ମାଣ ଲାଗି ଅନୁରାଗୀମାନେ ଅର୍ଥ ପ୍ରଦାନ ନିମନ୍ତେ ପଛଘୁଞ୍ଚା ଦେଲେ ଆଉ ଅଧିକ ନିମ୍ନ ବର୍ଗର ଚଳଚ଼ିତ୍ର ନିର୍ମିତ ହୋଇପାରିବ ନାହିଁ । ଚଳଚ଼ିତ୍ର ଶିଳ୍ପରେ ସୁସ୍ଥ ପରମ୍ପରା ସୃଷ୍ଟିରେ ଏଭଳି ପରିବେଶ ଅନୁପୂରକଭାବେ କାର୍ଯ୍ୟ କରିବ ।


 

ଚ଼ତୁର୍ଥତଃ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ, ଭାରଚୁଆଲ ରିଆଲିଟି ତଥା ଭିଜୁଆଲ ଏଫେକ୍ଟସ ଉପଯୋଗ ଫଳରେ ଚଳଚ଼ିତ୍ର ନିର୍ମାଣର ଧାରା ବଦଳିଯିବ । ବର୍ତ୍ତମାନ କେତେକ କ୍ଷେତ୍ରରେ ରୁପେଲି ପରଦାରେ ପ୍ରକୃତ ଅଭିନେତା ଓ ଭାରଚୁଆଲ ଅଭିନେତା ମଧ୍ୟରେ ବ୍ୟବଧାନ କମି ଆସୁଥିବା ସ୍ଥଳେ ଭବିଷ୍ୟତରେ ସେଭଳି କଳାକୈଶଳର ପ୍ରୟୋଗ ବଢ଼ିବ । ଫଳରେ ଚଳଚ଼ିତ୍ର ପ୍ରଦର୍ଶନ ଏକ ଅପ୍ରାକୃତିକ ପରିବେଶ ସୃଷ୍ଟିକରି ଦର୍ଶକୀୟ ଉତ୍କଣ୍ଠା ଉଦ୍ରେକର କାରଣ ପାଲଟିବ ।


 

ପଞ୍ଚମରେ ଆଜି ଯାଏଁ ଦର୍ଶକ ପ୍ରେକ୍ଷାଳୟରେ ପହଞ୍ଚି ନିର୍ଦ୍ଦିଷ୍ଟ ଚଳଚ଼ିତ୍ର ନିର୍ଦ୍ଧାରିତ ସମୟ ସୀମାରେ ଉପଭୋଗ କରୁଥିବା ସ୍ଥଳେ ଭବିଷ୍ୟତରେ ନିଜ ସୁବିଧାରେ ବିଭିନ୍ନ ସମୟରେ ନିଜ ରୁଚ଼ିର ଚଳଚ଼ିତ୍ର ଦେଖିବାର ସୁଯୋଗ ସୃଷ୍ଟି ହେବ । ଭିଡ଼ିଓ ଓ ମୋବାଇଲ ଠାରୁ ବଳି ଅଧିକ ବ୍ୟକ୍ତିଗତ ପ୍ରଦର୍ଶନ ବିକଳ୍ପ ଉପଲବ୍ଧ ହେବ । ସର୍ବୋପରି ଦର୍ଶକମାନେ ଭିଡ଼ିଓ ଗେମ ଭଳି ନିଜ ମନମୁତାବକ ଚଳଚ଼ିତ୍ରର କାହାଣୀ ବଦଳାଇ ପାରିବା ସୁଯୋଗ ମିଳିବ ଏବଂ ଚଳଚ଼ିତ୍ରର ପ୍ରଦର୍ଶନ ଏକ ସଂପୂର୍ଣ୍ଣ ପରିବର୍ତ୍ତିତ ଅନୁଭବରେ ପରିଣତ ହେବ ।


 

ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ସମ୍ଭାବ୍ୟ ପରିବର୍ତ୍ତନଗୁଡ଼ିକ ସଂପର୍କରେ ଶାହାରୁଖ ଖାନଙ୍କ ପୂର୍ବଦୃଷ୍ଟି ମନୋରଞ୍ଜନ ଶିଳ୍ପରେ ସଂପୃକ୍ତ ବୃତ୍ତିଧାରୀଙ୍କ ନିମନ୍ତେ ଏକ ଚ଼େତାବନୀ । ପ୍ରଯୁକ୍ତି ବିଜ୍ଞାନ ସଂପର୍କରେ ସଚ଼େତନ ଗଣମାଧ୍ୟମ ତତ୍ତ୍ୱବିତମାନେ ଏଯାଏଁ ଏଭଳି ପରିବର୍ତ୍ତନ ସଂପର୍କରେ କହି ଆସୁଥିଲେ । କିନ୍ତୁ ବର୍ତ୍ତମାନ ବଲିଉଡ଼ର ଜଣେ ଚଳଚ଼ିତ୍ର ଅଭିନେତା ଓ ପ୍ରଯୋଜକ ସେଥିପ୍ରତି ସମର୍ଥନ ଜଣାଇବା ସାଧାରଣକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ।    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ମାର୍ଚ୍ଚ ୨୦୧୮

ପ୍ରତ୍ୟାବର୍ତ୍ତନ ମୁଦ୍ରାରେ ଚଳଚ଼ିତ୍ର ଶିଳ୍ପ 

ବିଶ୍ୱବ୍ୟାପୀ ଚଳଚ଼ିତ୍ର ପ୍ରଦର୍ଶନ କ୍ଷେତ୍ରରେ ବ୍ୟାବସାୟିକ ଉନ୍ନତି ଚଳଚ଼ିତ୍ର ଶିଳ୍ପର ପୁନଋଦ୍ଧାର ଆଶା ସଞ୍ଚାର କରିଛି । ମହାମାରୀ-ପୂର୍ବାବସ୍ଥା ତୁଳନାରେ ଫ୍ରାନ୍ସରେ ୮୮ ପ୍ରତିଶତ, ବ୍ରିଟେନରେ ୮୨ ପ୍ରତିଶତ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୭୬ ପ୍ରତିଶତରେ ଚଳଚ଼ିତ୍ର ପ୍ରଦର୍ଶନ ଆୟ ପହଞ୍ଚିଥିବା ଜଣାଯାଏ । ଭାରତରେ ହିନ୍ଦି ଚଳଚ଼ିତ୍ର ବଜାରରେ ପ୍ରେକ୍ଷାଳୟ ଟିକଟ ବିକ୍ରୀ ୫୦ରୁ ୬୦ ପ୍ରତିଶତରେ ସୀମିତ ରହିଥିବା ସ୍ଥଳେ ଦକ୍ଷିଣ ଭାରତୀୟ ଭାଷାର ଚଳଚ଼ିତ୍ର ବଜାରରେ ୮୦ରୁ ୯୦ ପ୍ରତିଶତ ହିସାବ କରାଯାଉଛି । ଅବଶ୍ୟ ଆମ ଦେଶରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରେକ୍ଷାଳୟ ଟିକଟ ଦର କ୍ରମାଗତ ବୃଦ୍ଧି ପାଇଥିବା ହେତୁ ଆୟର ପରିମାଣ ଉଚ୍ଚରେ ପହଞ୍ଚିପାରିଛି । ଭାରତରେ ୨୦୧୯ରେ ୧୯,୧୦୦ କୋଟି ଟଙ୍କା ଚଳଚ଼ିତ୍ର ପ୍ରଦର୍ଶନରୁ ଆୟ ହୋଇଥିବା ସ୍ଥଳେ ୨୦୨୦ରେ ୭,୨୦୦ କୋଟି ଏବଂ ୨୦୨୨ରେ ୧୭,୨୦୦ କୋଟି ଟଙ୍କା ଆୟ ହୋଇଥିଲା । ଅର୍ଥାତ, ମହାମାରୀ-ପୂର୍ବ ଚଳଚ଼ିତ୍ର ପ୍ରଦର୍ଶନ ଆୟର ୮୦ ପ୍ରତିଶତ ଗତବର୍ଷ ସୁଦ୍ଧା ଭରଣା ହୋଇପାରିଥିଲା ।

 

ମହାମାରୀ-ପର ଅବସ୍ଥାରେ ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ଶିଳ୍ପର ଅଭିବୃଦ୍ଧି ଅନେକଙ୍କୁ ବିସ୍ମିତ କରିଥାଏ । ‘କନଫେଡ଼େରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରୀ’ ପକ୍ଷରୁ ଏପ୍ରିଲ ୨୦୨୩ରେ ପ୍ରକାଶିତ ‘ସାଉଥ ଇଣ୍ଡିଆ : ସେଟିଙ୍ଗ ବେଞ୍ଚମାର୍କ ଫର ଦି ନେସନ’ ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୨ରେ ଭାରତୀୟ ଚଳଚ଼ିତ୍ର ଶିଳ୍ପର ସାମଗ୍ରିକ ହିସାବରେ ତେଲୁଗୁ, ତାମିଲ, କନ୍ନଡ଼ ଓ ମାଳାୟଳମ ଚାରିଗୋଟି ଭାଷାରେ ୫୪ ପ୍ରତିଶତ ଚଳଚ଼ିତ୍ର ନିର୍ମିତ ହୋଇଥିଲା ଏବଂ ମୋଟ ଆୟର ୫୨ ପ୍ରତିଶତ ଦାବୀ କରିଥିଲା । ଦେଶରେ ୨୦୨୨ରେ ୧୪ ଗୋଟି ମୁଖ୍ୟ ଆଞ୍ଚଳିକ ଭାଷାରେ ୧,୬୯୧ ଗୋଟି ଚଳଚ଼ିତ୍ର ମୁକ୍ତିଲାଭ କରିଥିଲା । ସେଥିମଧ୍ୟରେ ଦକ୍ଷିଣ ଭାରତୀୟ ଚାରିଗୋଟି ଭାଷାରେ ୯୧୬ ଗୋଟି ଚଳଚ଼ିତ୍ର ଅନ୍ତର୍ଭୁକ୍ତ ।

 

ରିପୋର୍ଟରେ କୁହାଯାଇଛି ଯେ ସମକାଳରେ ଦକ୍ଷିଣ ଭାରତରେ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନ ଆୟ ୨୭ ପ୍ରତିଶତରେ ସୀମିତ ରହୁଥିବା ବେଳେ ଓଭର-ଦି-ଟପ ‘ଓଟିଟି’ ଷ୍ଟ୍ରୀମିଂରୁ ୨୪ ପ୍ରତିଶତ ଏବଂ ଟେଲିଭିଜନ ପ୍ରଦର୍ଶନରୁ ୧୭ ପ୍ରତିଶତ ହିସାବ କରାଯାଇଥାଏ । ସେହି ତାଲିକାରେ ଦକ୍ଷିଣ ଭାରତୀୟ ଭାଷାରୁ ହିନ୍ଦି ଡ଼ବିଂ କ୍ଷେତ୍ରରେ ୧୪ ପ୍ରତିଶତ, ଦକ୍ଷିଣ ଭାରତ ଭିନ୍ନ ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରେକ୍ଷାଳୟ ପ୍ରଦର୍ଶନ ବାବଦରେ ୯ ପ୍ରତିଶତ, ବିଦେଶ ପ୍ରେକ୍ଷାଳୟ ପ୍ରଦର୍ଶନରୁ ୭ ପ୍ରତିଶତ ଏବଂ ସଙ୍ଗୀତ ସତ୍ତ୍ୱ ବିକ୍ରୀ ସୂତ୍ରରୁ ୨ ପ୍ରତିଶତ ଆଦାୟ ହୋଇଥାଏ । ମହାମାରୀ ପୂର୍ବରୁ ଦକ୍ଷିଣ ଭାରତୀୟ ଚଳଚ଼ିତ୍ରଗୁଡ଼ିକ ମୋଟ ପ୍ରେକ୍ଷାଳୟ ପ୍ରଦର୍ଶନରୁ ୬୦ ପ୍ରତିଶତ ଓ ଅଣ-ପ୍ରେକ୍ଷାଳୟ ପ୍ରଦର୍ଶନରୁ ୪୦ ପ୍ରତିଶତ ଆୟ ରହିଥିଲା । ମହାମାରୀ-ପର ଅବସ୍ଥାରେ ୨୦୨୨ରେ ମୋଟ ପ୍ରେକ୍ଷାଳୟ ପ୍ରଦର୍ଶନରୁ ୪୩ ପ୍ରତିଶତକୁ ହ୍ରାସ ପାଇଥିବା ସ୍ଥଳେ ଅଣ-ପ୍ରେକ୍ଷାଳୟ ପ୍ରଦର୍ଶନରୁ ଆୟ ୫୭ ପ୍ରତିଶତକୁ ବୃଦ୍ଧି ପାଇଛି ।

 

ଚଳଚ଼ିତ୍ର ପ୍ରେକ୍ଷାଳୟ କ୍ଷେତ୍ରରେ ମଧ୍ୟ ସର୍ବଭାରତୀୟସ୍ତରରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଅଗ୍ରଣୀ । ଦେଶରେ ୨୦୨୨ରେ ୮,୭୦୦ ଚଳଚ଼ିତ୍ର ପ୍ରେକ୍ଷାଳୟ ଚାଲୁ ରହିଥିବା ବେଳେ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ ଓ କେରଳରେ ୪,୨୧୬ ବା ୪୮ ପ୍ରତିଶତ ପ୍ରେକ୍ଷାଳୟ କାର୍ଯ୍ୟକ୍ଷମ । ପୂର୍ବାନୁମାନରେ ୨୦୨୩ରେ ତାମିଲ ଚଳଚ଼ିତ୍ର ବାର୍ଷିକଭିତ୍ତିରେ ୧୫ ପ୍ରତିଶତ, ତେଲୁଗୁ ଚଳଚ଼ିତ୍ର ୫ ପ୍ରତିଶତ ଅଭିବୃଦ୍ଧି ଆଶା କରାଯାଇଛି । ମାଳାୟଳମ ଚଳଚ଼ିତ୍ରରେ ସ୍ଥିତାବସ୍ଥା ବଜାୟ ରହିବା ସ୍ଥଳେ କନ୍ନଡ଼ ଚଳଚ଼ିତ୍ରରେ ସାମାନ୍ୟ ଅବନତି ସମ୍ଭବ ବୋଲି କୁହାଯାଇଛି ।

 

ମହାମାରୀ-ପର ଅବସ୍ଥାରେ ବଲିଉଡ଼ ତୁଳନାରେ ଦକ୍ଷିଣ ଭାରତୀୟ ଚଳଚ଼ିତ୍ରଗୁଡ଼ିକର ସଫଳତାର ବିଭିନ୍ନ କାରଣ ବିଶ୍ଳେଷଣ କରାଯାଇଥାଏ । ପ୍ରଥମତଃ, ଓଟିଟି ଯୋଗୁଁ ବଲିଉଡ଼ ଚଳଚ଼ିତ୍ର ଦର୍ଶକଙ୍କ ସଂଖ୍ୟା କମୁଛି । ସାମଗ୍ରିକଭାବେ ଚଳଚ଼ିତ୍ର ଶିଳ୍ପ ପ୍ରତି ଓଟିଟି ଏକ ବଡ଼ ପ୍ରତିଯୋଗୀ । ସର୍ବଭାରତୀୟସ୍ତରରେ ବଲିଉଡ଼ ଚଳଚ଼ିତ୍ରର ବିକଳ୍ପ ଭାବେ ଓଟିଟି ଗଢ଼ି ଉଠୁଛି । ଅର୍ଥାତ, ସମନ୍ତରାଳ ଭାବେ ପ୍ରସ୍ତୁତ ଧାରାବାହିକଗୁଡ଼ିକ ଦର୍ଶକଙ୍କୁ ରୂପେଲି ପରଦାରୁ ଦୂରେଇ ରଖିବାରେ ସଫଳ ହେଉଛି । ଦକ୍ଷିଣ ଭାରତରେ ଓଟିଟିର ପ୍ରଭାବ ବଳବତ୍ତର ରହିଥିଲେ ହେଁ, ଚଳଚ଼ିତ୍ରଗୁଡ଼ିକ ହିଁ ଓଟିଟି ମଞ୍ଚରେ ପ୍ରଦର୍ଶିତ ହେଉଛି । ଫଳରେ ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ପାରମ୍ପରିକ ପ୍ରେକ୍ଷାଳୟ ଓ ଓଟିଟି ଉଭୟ କ୍ଷେତ୍ରରେ ପ୍ରଦର୍ଶନରୁ ଲାଭବାନ ହୋଇପାରୁଛି । ଏହି ସୁବିଧା ବଲିଉଡ଼ରେ ନାହିଁ । ସର୍ବଭାରତୀୟସ୍ତରରେ ବିଭିନ୍ନ ବର୍ଗର ଦର୍ଶକଙ୍କୁ ସୁହାଇଲା ଭଳି ତଥା ଉଭୟ ମଞ୍ଚରେ ଲୋକପ୍ରିୟତା ହାସଲ କଲାଭଳି ଚଳଚ଼ିତ୍ର ନିର୍ମାଣ ହୁଏତ ସମ୍ଭବ ନହୋଇପାରେ ।

 

ଦ୍ୱିତୀୟତଃ, ବଲିଉଡ଼ ଚଳଚ଼ିତ୍ରର ପ୍ରେକ୍ଷାଳୟ ପ୍ରଦର୍ଶନ ମଲଟିପ୍ଳେକ୍ସ ପରିବେଶରେ ଆଶା ଅନୁରୂପ ବ୍ୟବସାୟ କରିପାରୁ ନାହିଁ । ବଡ଼ ବଜେଟର ବଲିଉଡ଼ ଚଳଚ଼ିତ୍ର ଭିନ୍ନ ମଧ୍ୟମ ଓ କ୍ଷୁଦ୍ର ବଜେଟର ଚଳଚ଼ିତ୍ର ମଲଟିପ୍ଳେକ୍ସରେ ପ୍ରଦର୍ଶନ ଲାଭଜନକ ନୁହେଁ । ଅପରପକ୍ଷେ ପାଞ୍ଚଗୋଟି ଦକ୍ଷିଣ ଭାରତୀୟ ରାଜ୍ୟରେ ମଲଟିପ୍ଳେକ୍ସ ତୁଳନାରେ ଏକକ ରୂପେଲି ପରଦା ବିଶିଷ୍ଟ ପ୍ରେକ୍ଷାଳୟ ସଂଖ୍ୟା ଅଧିକ । ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ନିର୍ମାତାମାନେ ପ୍ରେକ୍ଷାଳୟ ବ୍ୟବସାୟ ସହ ପ୍ରତ୍ୟକ୍ଷଭାବେ ସଂଶ୍ଳିଷ୍ଟ ରହୁଥିବା ହେତୁ ଚଳଚ଼ିତ୍ର ପ୍ରଦର୍ଶନଗତ ଆୟ ବୃଦ୍ଧି ନିମନ୍ତେ ସମସ୍ତ ଅନୁକୂଳ ପଦକ୍ଷେପ ଗ୍ରହଣ କରିପାରୁଛନ୍ତି । ଏହା ଅନ୍ୟତ୍ର ବିରଳ ।

 

ତୃତୀୟତଃ, ନିକଟ ଅତୀତରେ ସର୍ବଭାରତୀୟସ୍ତରରେ ସଫଳତା ଲାଭ କରିଥିବା ଦକ୍ଷିଣ ଭାରତୀୟ ଚଳଚ଼ିତ୍ରଗୁଡ଼ିକରେ ମୌଳିକତା ଓ ବୈଷୟିକ ଚାତୁର୍ଯ୍ୟ ଉଚ୍ଚଧରଣର ଥିବା କୁହାଯାଏ । ଉଦାହରଣରେ ‘ବାହୁବଳୀ’ ୧ମ ଓ ୨ୟ, ‘ଆରଆରଆର’ ଓ ‘ପୁଷ୍ପା’ ଚଳଚ଼ିତ୍ରଗୁଡ଼ିକୁ ଆକର୍ଷଣୀୟ କରିବାଲାଗି ବହୁ ଅର୍ଥ ବ୍ୟୟ ହୋଇଥିଲା । ବଲିଉଡ଼ରେ ଅଭିନେତା ଅଭିନେତ୍ରୀଙ୍କ ମୂଳରେ ବଡ଼ ଭାଗ ଅର୍ଥ ବ୍ୟୟ ହେଉଥିବା ହେତୁ ଚଳଚ଼ିତ୍ରର ଉପାଦାନର ଉତ୍କର୍ଷ ସାଧନ ପ୍ରତି ଅର୍ଥ ଅଭାବ ଦେଖାଦେଇଥାଏ । କିନ୍ତୁ ତେଲୁଗୁ ଚଳଚ଼ିତ୍ର ଶିଳ୍ପରେ ଅଭିନେତାଙ୍କ ବାବଦରେ ୫୦ ପ୍ରତିଶତ ଖର୍ଚ୍ଚ କରାଯାଉଥିବା ସ୍ଥଳେ ଉପାଦାନ ପ୍ରସ୍ତୁତି ନିମନ୍ତେ ୫୦ ପ୍ରତିଶତ ଖର୍ଚ୍ଚ କରାଯାଉଛି । ତେଲୁଗୁ ଚଳଚ଼ିତ୍ର ତାରକାମାନେ ଚଳଚ଼ିତ୍ର ନିର୍ମାଣ ଆରମ୍ଭରେ ମାତ୍ର ୧୦ ରୁ ୨୦ ପ୍ରତିଶତ ପାରିଶ୍ରମିକ ନେଇ ବଳକା ଶୁଭମୁକ୍ତି ସମୟରେ ଗ୍ରହଣ କରିଥାନ୍ତି । ଫଳରେ ଚଳଚ଼ିତ୍ର ନିର୍ମାଣରେ ଅଧିକ ଅର୍ଥ ବିନିଯୋଗ କରିବା ନିମନ୍ତେ ପ୍ରଯୋଜକ ସୁଯୋଗ ପାଇଥାନ୍ତି ।

 

ମହାମାରୀ-ପର ପରିବେଶରେ ସଫଳତା ହାସଲ କରିଥିବା ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ପ୍ରବାହ ସହ ଓଡ଼ିଆ ଚଳଚ଼ିତ୍ରର ସ୍ଥିତାବସ୍ଥା ତୁଳନା କଲେ କେତେକ କ୍ରମବିକଶିତ ଦିଗ ଚର୍ଚ୍ଚାର ପରିସରକୁ ଆସିଥାଏ । ସିଆଇଆଇ ପକ୍ଷରୁ ମହାମାରୀ-ପର ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ଶିଳ୍ପର ଆୟ ତର୍ଜମା କରି ସୂଚାଇ ଦିଆଯାଇଛି ଯେ ନିଜ ରାଜ୍ୟରେ ପ୍ରେକ୍ଷାଳୟ ପ୍ରଦର୍ଶନ ବାବଦରୁ ୨୭ ପ୍ରତିଶତ ଆୟ ହେଉଥିବା ସ୍ଥଳେ ଓଟିଟି ମଞ୍ଚରେ ପ୍ରଦର୍ଶନରୁ ୨୪ ପ୍ରତିଶତ ଆଦାୟ ହେଉଛି । ଉପଭୋକ୍ତା ଆଚ଼ରଣ ପରିବର୍ତ୍ତନ ଓ ସମ୍ଭାବ୍ୟ ଭବିଷ୍ୟତର ଡ଼ିଜିଟାଲ ରୂପାନ୍ତିକରଣ ତଥ୍ୟାବଳୀକୁ ବିଚାରକୁ ନେଲେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ହୁଏତ ଭବିଷ୍ୟତରେ ଓଡ଼ିଶା ଚଳଚ଼ିତ୍ର ଶିଳ୍ପର ସମୃଦ୍ଧି ଓଟିଟି ମଞ୍ଚରେ ପ୍ରଦର୍ଶନ ଉପରେ ନିର୍ଭରଶୀଳ ହେବ । ପାରମ୍ପରିକ ଢ଼ାଞ୍ଚାରେ ଓଡ଼ିଶାରେ ଚଳଚ଼ିତ୍ର ପ୍ରେକ୍ଷାଳୟ ଅଭାବ ଓ ଟେଲିଭିଜନ ଚ୍ୟାନେଲ ପକ୍ଷରୁ ୨୫-୩୦ ଲକ୍ଷରୁ କମ ବଜେଟରେ ଚଳଚ଼ିତ୍ର ନିର୍ମାଣ ହେତୁ ଓଡ଼ିଆ ଚଳଚ଼ିତ୍ର ଶିଳ୍ପର ଅଧୋଗତି ଘଟୁଥିବା ଅଭିଯୋଗ ବଦଳରେ ଓଡ଼ିଆ ଚଳଚ଼ିତ୍ର କିପରି ଓଟିଟି ମଞ୍ଚରେ ପ୍ରତିଷ୍ଠିତ ହୋଇପାରିବ, ସେଦିଗରେ ବିଚାରବିମର୍ଷ ଯୁଗଉପଯୋଗୀ ମନେହୁଏ ।

 

ଓଡ଼ିଶାର ଗ୍ରାମାଞ୍ଚଳରେ ଏକକ ରୂପେଲି ପରଦା ବିଶିଷ୍ଟ ଚଳଚ଼ିତ୍ର ପ୍ରେକ୍ଷାଳୟ ନିର୍ମାଣରେ ନିବେଶ ବ୍ୟାବସାୟିକ ଦୃଷ୍ଟିରୁ ଲାଭଜନକ ନୁହେଁ ଏବଂ ଏଦିଗରେ ସରକାରୀ ସହାୟତା ଆଶା ବୃଥା । କିନ୍ତୁ ସବୁ କଥାରେ ଓଡ଼ିଶାବାସୀ ସରକାରୀ କୃପା ଆଶାୟୀ ଥିବା ଅବସରରେ ‘ଓଡ଼ିଶା ଚଳଚ଼ିତ୍ର ଉନ୍ନୟନ ନିଗମ’ ଭଳି ସରକାରୀ ନିୟନ୍ତ୍ରଣାଧୀନ ପ୍ରତିଷ୍ଠାନ ଓଟିଟି ମଞ୍ଚରେ ଓଡ଼ିଆ ଚଳଚ଼ିତ୍ର ପ୍ରଦର୍ଶନକୁ ଉତ୍ସାହିତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିପାରିବେ । ଜାତୀୟ ଚଳଚ଼ିତ୍ର ଉନ୍ନୟନ ନିଗମ ପକ୍ଷରୁ ଏକ ଓଟିଟି ମଞ୍ଚ ପ୍ରସ୍ତୁତ ହେଉଥିବା କେନ୍ଦ୍ର ସୂଚ଼ନା ଓ ପ୍ରସାରଣ ବିଭାଗ ସଚ଼ିବ ମେ’ ୨୦୨୩ରେ ମୁମ୍ୱାଇଠାରେ ଆୟୋଜିତ ‘ଫେମ’ ଉତ୍ସବରେ ସୂଚ଼ନା ଦେଇଥିଲେ । ଚଳଚ଼ିତ୍ର ପ୍ରଦର୍ଶନ କ୍ଷେତ୍ରରେ ଡ଼ିଜିଟାଲ ରୂପାନ୍ତିକରଣରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ । ଓଡ଼ିଶାରେ ଅନୁରୂପ ଉଦ୍ୟମ ସ୍ୱାଗତଯୋଗ୍ୟ । ଓଡ଼ିଆ ଚଳଚ଼ିତ୍ର ଉପଭୋଗ ମାନସିକତା ସୃଷ୍ଟି ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ବହୁବିଧ ରଣନୀତି ଆବଶ୍ୟକ । ଉଚ୍ଚମାନର ପୁରାତନ ଚଳଚ଼ିତ୍ର ମାଗଣାରେ ପ୍ରଦର୍ଶିତ ହେଲେ ନୂଆ ଚଳଚ଼ିତ୍ର ଆହରଣ ନିମନ୍ତେ ଦର୍ଶକଙ୍କ ଆଗ୍ରହ ବଢ଼ିବା ଆଶା କରାଯାଇପାରେ ।

 

ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ଚଳଚ଼ିତ୍ର ଶିଳ୍ପ ପ୍ରେକ୍ଷାଳୟ ପ୍ରଦର୍ଶନକୁ ପ୍ରତ୍ୟାବର୍ତ୍ତନର ପ୍ରମାଣ ମିଳୁଥିଲେହେଁ ଓଡ଼ିଶା ଚଳଚ଼ିତ୍ର ନିମନ୍ତେ ପ୍ରେକ୍ଷାଳୟ ସହ ଡିଜିଟାଲ ମଞ୍ଚର ବିକାଶ ଜରୁରୀ । କାରଣ ସବୁ ଚଳଚ଼ିତ୍ର ପ୍ରେକ୍ଷାଳୟରେ ସଫଳତା ହାସଲ କରିପାରିବ ନାହିଁ ଏବଂ କେବଳ ପ୍ରେକ୍ଷାଳୟରେ ସଫଳତା ହାସଲ ଲକ୍ଷ୍ୟରେ ଚଳଚ଼ିତ୍ର ନିର୍ମାଣ କରାଯାଇପାରିବ ନାହିଁ । ମନୋରଞ୍ଜନ କ୍ଷେତ୍ରରେ ଆମେ ଆଦର୍ଶରେ ବାନ୍ଧି ହୋଇନରହି, କ’ଣ ହେବା ଉଚ଼ିତରେ ବିଚାର ଶେଷ ନକରି, ବାସ୍ତବକ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର କିପରି ସମାଧାନ କରାଯାଇପାରିବ ସେ ଦିଗରେ ମନୋନିବେଶ କରିବା ବିଜ୍ଞତାର ପରିଚୟ । ‘ଦମନ’ ଓ ‘ପ୍ରତୀକ୍ଷା’ ପରେ ଓଡ଼ିଶାରେ ଛଅ ମାସରେ ଅନ୍ତତଃପକ୍ଷେ ସାତ ଆଠଗୋଟି ଚଳଚ଼ିତ୍ର ମୁକ୍ତିଲାଭ କରିଛି । ଏହି ଚଳଚ଼ିତ୍ରଗୁଡ଼ିକର ପ୍ରେକ୍ଷାଳୟ ପ୍ରଦର୍ଶନରେ ଦୁର୍ଦ୍ଦଶାକୁ ସଜାଡ଼ିବାକୁ ଉଦ୍ୟମ କରିବା ସମୟର ଆହ୍ୱାନ ।

 

ୟୁଟ୍ୟୁବ ଭିଡ଼ିଓ :

 

Watch “Naacho Naacho” (Full Video) RRR

 

https://youtu.be/sAzlWScHTc4 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୬ ଜୁନ ୨୦୨୩


ତଥ୍ୟ:

 

Kohli – Khanderkar, Vanita. Indian Cinema bounces back.... gradually. Business Standard (Bhubaneswar Edition). June 06, 2023

 

Jacob, Shine. Southern filicks beat rest of India in ’22 : CII. Business Standard (Bhubaneswar Edition). April 20, 2023

 

Govardan, D. What’s behind South Indian cinema’s new pan-India appeal ? Times of India (Bhubaneswar Edition). September 13, 2022

ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ଗୁଣବତ୍ତା ବିକାଶ

ଭାରତୀୟ ଚଳଚ଼ିତ୍ର ଶିଳ୍ପର ଆୟ ୨୦୧୮ ତୁଳନାରେ ୨୦୧୯ରେ ୧୧.୬ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ସମକାଳୀନ ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଏକ ଉଲ୍ଲେଖନୀୟ ଘଟଣା । ଇଣ୍ଟରନେଟ ପ୍ରସାର ଓ ସ୍ମାର୍ଟଫୋନ ବ୍ୟବହାରରେ ସୋସିଆଲ ମିଡ଼ିଆର ଗୁରୁତ୍ୱ ବୃଦ୍ଧି ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବିଘଟନ ଘଟାଉଥିବା ସ୍ଥଳେ ପ୍ରବେଶ ଶୁଳ୍କ ଦେଇ ପ୍ରେକ୍ଷାଳୟରେ ଚଳଚ଼ିତ୍ର ଉପଭୋଗ ନିମନ୍ତେ ଦର୍ଶକ ସଂଖ୍ୟା ଓ ଆୟ ଅଭିବୃଦ୍ଧି ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ଗୁଣବତ୍ତା ବିକାଶ ସୂଚ଼ିତ କରିଥାଏ ।


 

‘ଓରମାକ୍ସ’ ମିଡ଼ିଆ ଦ୍ୱାରା ପ୍ରସ୍ତୁତ ‘ବକ୍ସ ଅଫିସ ରିପୋର୍ଟ ୨୦୧୯’ ଅନୁଯାୟୀ ୨୦୧୮ରେ ଦେଶର ପ୍ରେକ୍ଷାଳୟଗୁଡ଼ିକରେ ୯୪ କୋଟି ୫୦ ଲକ୍ଷ ଟିକଟ ବିକ୍ରୀ ହୋଇ ୯,୮୧୦ କୋଟି ଟଙ୍କା ଆଦାୟ ହୋଇଥିବା ସ୍ଥଳେ ୨୦୧୯ରେ ୧୦୩ କୋଟି ଟିକଟ ବିକ୍ରୀ ହୋଇ ୧୦,୯୪୮ କୋଟି ଟଙ୍କା ଆଦାୟ ହୋଇଥିଲା । ବକ୍ସ ଅଫିସ ଆୟ ସର୍ବାଧିକ ୪୪ ପ୍ରତିଶତ ହିନ୍ଦି ଚଳଚ଼ିତ୍ର ଦାବୀ କରିଥିଲା । ତା’ପରକୁ ୧୫ ପ୍ରତିଶତ ହଲିଉଡ଼ ଚଳଚ଼ିତ୍ର ଏବଂ ତାମିଲ ଓ ତେଲୁଗୁ ପ୍ରତ୍ୟେକ ୧୩ ପ୍ରତିଶତ ତଥା ମାଳାୟଳମ ଓ କନ୍ନଡ଼ ପ୍ରତ୍ୟେକ ୫ ପ୍ରତିଶତ ଆୟ କରିଥିଲେ । ପଞ୍ଜାବୀ ୨ ପ୍ରତିଶତ ଏବଂ ମରାଠୀ, ବଙ୍ଗାଳୀ, ଗୁଜରାଟୀ ସହ ଅନ୍ୟ ଭାଷା ସମୂହ ଚଳଚିତ୍ରରୁ ୩ ପ୍ରତିଶତ ଆୟ ହିସାବ କରାଯାଏ ।


 

ବାର୍ଷିକ ହିସାବରେ ହଲିଉଡ଼ରେ ପ୍ରଯୋଜିତ ‘ଏଭେଞ୍ଜରସ ଏଣ୍ଡ ଗେମ’ ୪୩୩ କୋଟି ସଂଗ୍ରହ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ଥଳେ ପ୍ରମୁଖ ୧୦ ଗୋଟି ଚଳଚ଼ିତ୍ର ମଧ୍ୟରେ କ୍ରମାନ୍ୱୟରେ ‘ୱାର’ (୩୫୭ କୋଟି), ‘ସାହେ’ (୩୪୯ କୋଟି), ‘କବୀର ସିଂ’ (୩୨୧ କୋଟି), ‘ଊରି’ (୨୮୩ କୋଟି), ‘ହାଉସଫୁଲ ୪’ (୨୩୯ କୋଟି), ‘ଗୁଡ଼ ନିଉଜ’ (୨୩୦ କୋଟି), ‘ଭାରତ’ (୨୨୯ କୋଟି), ‘ମିଶନ ମଙ୍ଗଳ’ (୨୨୪ କୋଟି), ‘ସେରା’ (୧୯୬ କୋଟି) ଓ ‘ଦି ଲାୟନ କିଙ୍ଗ’ (୧୮୪ କୋଟି) ସ୍ଥାନିତ ।


 

ପ୍ରେକ୍ଷାଳୟରେ ଟିକଟ କ୍ରୟରେ ୩୩ ପ୍ରତିଶତ ହିନ୍ଦି, ୧୯ ପ୍ରତିଶତ ତାମିଲ ଓ ୧୮ ପ୍ରତିଶତ ତେଲୁଗୁ ଚଳଚ଼ିତ୍ର ଦର୍ଶକ ଅନ୍ତର୍ଭୁକ୍ତ । ତା’ପରକୁ ହଲିଉଡ଼ ଓ ମାଳାୟଳମ ଚଳଚ଼ିତ୍ର ଦର୍ଶକଙ୍କ ସଂଖ୍ୟା । ବିଗତ ଚାରି ବର୍ଷ ଧରି ପ୍ରେକ୍ଷାଳୟ ଦର୍ଶକଙ୍କ ସଂଖ୍ୟା ସ୍ଥିର ରହିବା କିମ୍ୱା କମିଥିବା ସ୍ଥଳେ ୨୦୧୯ରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଜାତୀୟସ୍ତରର ପରିସଂଖ୍ୟାନରେ ଓଡ଼ିଆ ଚଳଚ଼ିତ୍ର ଶିଳ୍ପର ଉଲ୍ଲେଖନୀୟ ଅବଦାନ ନାହିଁ କହିଲେ ଚଳେ । ଦେଶର ମୋଟ ଚଳଚ଼ିତ୍ର ପ୍ରଦର୍ଶନ ଆୟର ୩ ପ୍ରତିଶତ ଆୟରେ ଓଡ଼ିଆ ଚଳଚିତ୍ର ମରଠୀ, ବଙ୍ଗାଳୀ ଓ ଗୁଜରାଟୀ ସହ ଅନ୍ୟାନ୍ୟ ଭାଷାର ଚଳଚ଼ିତ୍ରଗୁଡ଼ିକ ସାମିଲ ହୋଇଥିବା ଜଣାଯାଏ ।


 

ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଭାରତୀୟମାନେ ଦୈନିକ ହାରାହାରି ଚ଼ାରି ଘଣ୍ଟା ଯାଏଁ ଟେଲିଭିଜନ ଦେଖୁଥିବା ଓ ଘଣ୍ଟାଏରୁ ଦୁଇ ଘଣ୍ଟା ସ୍ମାର୍ଟଫୋନରେ ବିତାଉଥିବା ତଥା ପ୍ରତ୍ୟେକ ପରିବାରକୁ ବିଦ୍ୟୁତ ସଂଯୁକ୍ତି ପରେ ଟେଲିଭିଜନ ଦର୍ଶକ ସଂଖ୍ୟା ବଢ଼ିଥିବା ଏବଂ ୫୦ କୋଟି ଯାଏଁ ସ୍ମାର୍ଟଫୋନ ବ୍ୟବହାର ହେଉଥିବା ଅବସରରେ ଚଳଚ଼ିତ୍ର ଶିଳ୍ପର ଅଭିବୃଦ୍ଧିର କାରଣ ମୁଖ୍ୟତଃ ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ଗୁଣବତ୍ତା ବିକାଶକୁ ଗଣମାଧ୍ୟମ ବିଶ୍ଳେଷକମାନେ ଶ୍ରେୟ ଦେଇଥାନ୍ତି ।


 

ଭାରତୀୟ ଚଳଚ଼ିତ୍ରରେ କାହାଣୀ, ଚ଼ିତ୍ରନାଟ୍ୟ, ଅଭିନେତା, ଦୃଶ୍ୟସଜ୍ଜା ତଥା କାରିଗରୀ କୌଶଳ ପ୍ରୟୋଗ ଇତ୍ୟାଦିରେ ମୌଳିକତା ପରିସ୍ପୁଟନକୁ ଅଗ୍ରାଧିକାର ଦର୍ଶକୀୟ ସ୍ୱୀକୃତିର ମୁଖ୍ୟ ଆଧାର । ଚଳଚ଼ିତ୍ର ନିର୍ମାଣରେ ସୌଖୀନ ମନୋଭାବ କ୍ରମଶଃ ବୃତ୍ତିଭିତ୍ତିକ ଢ଼ାଞ୍ଚାରେ ପରିବର୍ତ୍ତିତ ହେବାପରେ ଆବଶ୍ୟକୀୟ ଶୃଙ୍ଖଳା ସୃଷ୍ଟିରେ ସହାୟତା ଯୋଗାଇଛି । ଚଳଚ଼ିତ୍ର ବିସ୍ତୃତ ଦର୍ଶକମାନଙ୍କ ନିମନ୍ତେ ପ୍ରସ୍ତୁତ ହେଉଥିବା କାରଣରୁ ଏଥିରେ ସୁକ୍ଷ୍ମାତିସୁକ୍ଷ୍ମ କ୍ଷେତ୍ରରେ ନିପୂଣତା ଆବଶ୍ୟକ କରିଥାଏ । ମୁମ୍ୱାଇ, ଚ଼େନ୍ନାଇ, ହାଇଦରାବାଦ, ବେଙ୍ଗାଲୁରୁ, ତିରୁଭନ୍ତପୁରମ ଓ କୋଲକତାରେ ଏଦିଗରେ ନିର୍ଭରଶୀଳ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ପରିବେଶ ସୃଷ୍ଟି ଫଳରେ ଚଳଚ଼ିତ୍ରର ମାନବୃଦ୍ଧି ହୋଇପାରିଛି ।


 

ଚଳଚ଼ିତ୍ରଗୁଡ଼ିକରେ ଲୋକପ୍ରିୟ ଅଭିନେତା ଅଭିନେତ୍ରୀଙ୍କ ଅଂଶଗ୍ରହଣ ଚଳଚ଼ିତ୍ର ଆୟ ବୃଦ୍ଧିରେ ସହାୟକ ହେଉଥିଲେ ହେଁ ଉତ୍କୃଷ୍ଟ କାହାଣୀ ଓ ନିର୍ମାଣରେ ନିପୂଣତା ମଧ୍ୟ ଆୟବୃଦ୍ଧିର ବାଟ ଓଗାଳୁ ନାହିଁ । ଉଦାହରଣରେ ୨୦୧୯ରେ ଲୋକପ୍ରିୟ ଅଭିନେତା ସଲମନ ଖାନ ଅଭିନୀତ ‘ଦବଙ୍ଗ-୩’ର ଶୁଭମୁକ୍ତିର ପ୍ରଥମ ତିନିଦିନର ବକ୍ସ ଅଫିସ ଆୟ ୩୨ କୋଟି ଥିବା ସ୍ଥଳେ କୌଣସି ଲୋକପ୍ରିୟ ଅଭିନେତା ଅଭିନୟ କରିନଥିବା ‘ଚିଚୋର’ର ଆୟ ୬ କୋଟିରେ ସୀମିତ ଥିଲା । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ‘ଦବଙ୍ଗ-୩’ର ମୋଟ ଆୟ ୧୪୦ କୋଟିକୁ ‘ଚିଚୋର’ ଛୁଇଁପାରିଥିଲା ।


 

ଭାରତରେ ଚଳଚ଼ିତ୍ର ଦର୍ଶକଙ୍କ ସଂଖ୍ୟା ବୃଦ୍ଧିର ଅନ୍ୟତମ କାରଣ ରୂପେ ଏକାଧିକ ଭାରତୀୟ ଭାଷାରେ ଚଳଚ଼ିତ୍ର ନିର୍ମାଣକୁ ଚ଼ିହ୍ନଟ କରାଯାଇଥାଏ । ହିନ୍ଦିରୁ ତାମିଲ, ତେଲୁଗୁ ଭଳି ଭାରତୀୟଭାଷାକୁ, ବିଭିନ୍ନ ଭାରତୀୟ ଭାଷାରୁ ହିନ୍ଦି ତଥା ଇଂଲିଶରୁ ହିନ୍ଦି ଓ ଅନ୍ୟାନ୍ୟ ଭାଷାରେ ଚଳଚ଼ିତ୍ର ଡବିଂ ହୋଇ ପ୍ରଦର୍ଶନ ଅଧିକ ଦର୍ଶକମାନଙ୍କୁ ଆକୃଷ୍ଟ କରୁଥିବା କୁହାଯାଏ । ୨୦୧୯ରେ ବକ୍ସ ଅଫିସ ଆୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ‘ଏଭେଞ୍ଜର୍ସ : ଏଣ୍ଡ ଗେମ’ର ୪୦ ରୁ ୪୫ ପ୍ରତିଶତ ଆୟ ହିନ୍ଦି, ତାମିଲ ଓ ତେଲୁଗୁ ଭାଷାରେ ପ୍ରଦର୍ଶନରୁ ମିଳିଥିବା ଜଣାଯାଏ । ଏହି ବର୍ଷ ବକ୍ସ ଅଫିସରେ ପ୍ରଥମ ଦଶ ସ୍ଥାନ ଅଧିକାର କରିଥିବା ସମସ୍ତ ଚଳଚ଼ିତ୍ର ଏକାଧିକ ଭାଷାରେ ପ୍ରେକ୍ଷାୟଳୟଗୁଡ଼ିକରେ ପ୍ରଦର୍ଶିତ ହୋଇଥିଲା ।


 

ଅନଲାଇନ ଟିକଟ ବୁକିଂ ପ୍ଳାଟଫରମ ‘ବୁକ-ମାଇ-ସୋ’ ପକ୍ଷରୁ ୨୦୧୯ରେ ସଂପୃକ୍ତ ମଞ୍ଚରେ ବିକ୍ରୀ ହୋଇଥିବା ଚଳଚ଼ିତ୍ର ପ୍ରେକ୍ଷାଳୟ ଟିକଟ ସଂପର୍କୀତ ତଥ୍ୟାବଳୀ ବିଶ୍ଳେଷଣ କରାଯାଇ ‘ସୋ-ଅଫ-ଦି-ଇଅର ୨୦୧୯’ ପ୍ରକାଶିତ ହୋଇଥିଲା । ସାରା ଭାରତରେ ବିଭିନ୍ନ ଭାଷାରେ ୧୮୮୦ ଗୋଟି ଚଳଚ଼ିତ୍ର ନିମନ୍ତେ ବିକ୍ରୀ ଟିକଟ ମଧ୍ୟରେ ହଲିଉଡ଼ ଚଳଚ଼ିତ୍ର ‘ଏଭେଞ୍ଜର୍ସ : ଏଣ୍ଡ ଗେମ’ ପ୍ରଥମ ସ୍ଥାନ କରିଥିଲା । ତା’ପରକୁ ପ୍ରଥମ ୧୦ ଗୋଟି ଚଳଚ଼ିତ୍ର ମଧ୍ୟରେ କ୍ରମାନ୍ୱୟରେ ‘ଉରି’, ‘କବୀର ଖାନ’, ‘ସାହେ’, ‘ୱାର’, ‘ଦି ଲାୟନ କିଙ୍ଗ’, ‘ମିଶନ ମଙ୍ଗଳ’, ‘ଶିମ୍ୱା’, ‘ଗଲି ବଏ’ ଓ ‘ଚିଚୋର’ ସ୍ଥାନ ପାଇଥିବା ଜଣାଯାଏ ।


 

ପ୍ରେକ୍ଷାଳୟରେ ଚଳଚ଼ିତ୍ର ଦେଖିବା ନିମନ୍ତେ ଅନଲାଇନ ଟିକଟ ବୁକିଂ ପ୍ଳାଟଫରମ ବ୍ୟବହାର ମୁଖ୍ୟତଃ ସହରାଞ୍ଚଳର ଶିକ୍ଷିତ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟ । ‘ସୋ-ଅଫ-ଦି-ଇଅର ୨୦୧୯’ର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟରେ ୨୦୧୮ ତୁଳନାରେ ୨୦୧୯ରେ ଇଂଲିଶ ଚଳଚ଼ିତ୍ର ବୁକିଂ ୫୬ ପ୍ରତିଶତ ବଢ଼ିଥିବା ଅନ୍ୟତମ । ସାମଗ୍ରୀକଭାବେ ଅଗ୍ରୀମ ଟିକଟ ବୁକିଂ ୧୧ ପ୍ରତିଶତ ବଢ଼ିଥିବା ତଥା ଥରେକେ ଜଣେ ଗ୍ରାହକ ହାରାହାରି ୨.୬ ଗୋଟି ଟିକଟ କିଣିଥିବା ପ୍ରକାଶ । ହାଇଦରାବାଦରେ ଅଧିକ ଉପଭୋକ୍ତା ଚଳଚ଼ିତ୍ର ଟିକଟ କିଣିଥିବା ସ୍ଥଳେ ତା’ପରକୁ ମୁମ୍ୱାଇ ଓ ବେଙ୍ଗାଲୁରୁର ସ୍ଥାନ ।


 

ଭାରତୀୟ ଚଳଚ଼ିତ୍ର ଶିଳ୍ପର ଆୟ ବୃଦ୍ଧିରେ ମଲଟିପ୍ଳେକ୍ସ ପ୍ରେକ୍ଷାଳୟ ସଂଖ୍ୟା ବୃଦ୍ଧି ସାଙ୍ଗକୁ ବୈଦେଶିକ ବଜାର ପ୍ରମୁଖ ଯୋଗଦାନ ରହୁଛି । ଇଂଲିଶ, ସ୍ପାନିଶ, ଫ୍ରେଞ୍ଚ, ଆରବୀ ଭଳି ଭାଷାରେ ସବଟାଇଟଲ ଯୋଗ ପରେ ଭାରତୀୟ ଚଳଚ଼ିତ୍ରଗୁଡ଼ିକ ବୈଦେଶିକ ବଜାରରେ ଉଭୟ ପ୍ରେକ୍ଷାଳୟ ପ୍ରଦର୍ଶନ ଓ ଟେଲିଭିଜନ ପ୍ରସାରଣ ନିମନ୍ତେ ପ୍ରସ୍ତୁତ ହୋଇପାରୁଛି । ଭାରତୀୟ ଜନଜୀବନ ଓ ସଂସ୍କୃତି ପ୍ରଚାର ଏବଂ ସୃଜନ ପରିଚିତିରେ ବିଭିନ୍ନ ଷ୍ଟ୍ରୀମିଂ ମଞ୍ଚ ନିମନ୍ତେ ପ୍ରସ୍ତୁତ ମୌଳିକ ଚଳଚ଼ିତ୍ରଗୁଡ଼ିକ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।


 

ଅନ୍ୟାନ୍ୟ ଭାରତୀୟ ଭାଷା ସମୂହ ମଧ୍ୟରେ ମାଳାୟଳମ ଚଳଚ଼ିତ୍ର ମୌଳିକତା ପରିପ୍ରକାଶ ଦୌଡ଼ରେ ୨୦୧୯ରେ ଆଗରେ ରହିଥିବା ଦେଖାଯାଏ । ବିଶ୍ୱବ୍ୟାପୀ ସ୍ମାର୍ଟଫୋନର ବ୍ୟାପ୍ତି ଫଳରେ ଭିଡ଼ିଓ ଗୁରୁତ୍ୱଲାଭ କରିଥିବା ସ୍ଥଳେ ସେଭଳି ମଞ୍ଚରେ ଚଳଚ଼ିତ୍ର ପ୍ରଦର୍ଶନ ପ୍ରାଥମିକତା ଦାବୀ କରିବା ଆଶା କରାଯାଏ । ଏହି ଧାରା ଭାରତୀୟ ଚଳଚ଼ିତ୍ର ଶିଳ୍ପ ବିକାଶକୁ ଉତ୍ସାହିତ କରିବା ନିଶ୍ଚିତ । ସର୍ବୋପରି ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ଗୁଣବତ୍ତା ବିକାଶ ନିମନ୍ତେ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ବୋଲି କହିବାକୁ ହେବ ।     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୮ ଫେବୃୟାରୀ ୨୦୨୦


ତଥ୍ୟ:



Kohli Khandekar, Vanita. India Cinema has a happy story in rising ticket sales. Business Standard (Bhubaneswar Edition). February 14, 2020.


 

Movies that moved India in 2019. Business Standard (Bhubaneswar Edition). December 28 / 29, 2019.

ଚଳଚିତ୍ର ପ୍ରେକ୍ଷାଳୟ ଅଭାବ

ଭାରତୀୟ ଚଳଚ଼ିତ୍ର ଶିଳ୍ପର ଅଭିବୃଦ୍ଧିହାର ନୈରାଶ୍ୟଜନକ । ଆନ୍ତର୍ଜାତିକସ୍ତରରେ ବାର୍ଷିକଭିତ୍ତିରେ ଭାରତ ସର୍ବାଧିକ ଚଳଚ଼ିତ୍ର ନିର୍ମାତା ମାନ୍ୟତାପ୍ରାପ୍ତ ହୋଇଥିଲେ ହେଁ ଦେଶ ମଧ୍ୟରେ ପ୍ରେକ୍ଷାଳୟ ଅଭାବ ଚଳଚ଼ିତ୍ରଶିଳ୍ପର ବ୍ୟାପ୍ତିକୁ ସଂକୁଚ଼ିତ କରିଚ଼ାଲିଛି ବୋଲି କହିବାକୁ ହେବ । ସୀମିତ ସଂଖ୍ୟକ ପ୍ରେକ୍ଷାଳୟ କାରଣରୁ ଚଳଚ଼ିତ୍ର ଦର୍ଶକସଂଖ୍ୟା ବଢ଼ିପାରୁ ନଥିବା ହେତୁ ରାଜସ୍ୱ ଆୟ ବ୍ୟାହତ ହେଉଛି ।


 

ପ୍ରେକ୍ଷାଳୟ ନିର୍ମାଣ ଓ ଚଳଚ଼ିତ୍ର ପ୍ରଦର୍ଶନ ଘରୋଇ ଉଦ୍ୟୋଗ ଦ୍ୱାରା ପରିଚ଼ାଳିତ ହୋଇଥାଏ । ସ୍ୱାଧୀନୋତ୍ତର ଭାରତରେ ପ୍ରେକ୍ଷାଳୟ ସଂଖ୍ୟା ଓ ଚଳଚ଼ିତ୍ରଶିଳ୍ପ କ୍ରମାଗତ ଭାବେ ବୃଦ୍ଧିପାଇ ଚାଲିଥିଲା । ତେବେ ଅଷ୍ଟମଦଶକ ପ୍ରାରମ୍ଭରୁ ଟେଲିଭିଜନର ପ୍ରସାରପରେ ଉଭୟ ପ୍ରେକ୍ଷାଳୟ ସଂଖ୍ୟା ଓ ଚଳଚ଼ିତ୍ର ଶିଳ୍ପ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥିଲା ।


 

ଅନ୍ୟାନ୍ୟ କାରଣ ମଧ୍ୟରେ ଆଧୁନିକ ବୈଷୟିକ ପଦ୍ଧତି ଉପଯୋଗ, ପୁରୁଣା କୋଠାବାଡ଼ି ତଥା ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଅଭାବ ଓ ଚଳଚ଼ିତ୍ର ପ୍ରଦର୍ଶନ ବ୍ୟବସାୟରେ ପୁଞ୍ଜିବିନିଯୋଗ ତୁଳନାରେ ଲାଭ ହ୍ରାସକୁ ଚ଼ିହ୍ନଟ କରାଯାଇପାରେ । ସର୍ବୋପରି ପ୍ରେକ୍ଷାଳୟଗୁଡ଼ିକରେ ସଂଖ୍ୟାଧିକ ଦର୍ଶକ ଏକତ୍ରୀତ ହେଉଥିବା ତଥା ଅତୀତରେ ଅଗ୍ନିକାଣ୍ଡ ଭଳି କେତେକ ଦୁର୍ଘଟଣାଜନିତ କାରଣରୁ ନୂତନ ପ୍ରେକ୍ଷାଳୟ ନିର୍ମାଣ କ୍ଷେତ୍ରରେ ବିଭିନ୍ନ ସରକାରୀ କଟକଣା ଏହି ବ୍ୟବସାୟ ପରିଧିକୁ ନୂତନ ବ୍ୟବସାୟୀଙ୍କୁ ଆକୃଷ୍ଟ କରୁନଥିବା ଅନ୍ୟତମ ବାଧକ ସାଜିଛି ।


 

ଏକ ଅନୁଶୀଳନ ଅନୁଯାୟୀ ଚଳଚ଼ିତ୍ର ପ୍ରଦର୍ଶନ ନିମନ୍ତେ ଆମଦେଶରେ ପ୍ରତିବର୍ଷ ୧୫୦ରୁ ୨୦୦ ନୂତନ ମଲଟିପ୍ଳକ୍ସ ପର୍ଦ୍ଦା ଯୋଡୁଥିବାବେଳେ ୩୦୦ ରୁ ୪୦୦ ପୁରାତନ ଏକକ ପର୍ଦ୍ଦାବିଶିଷ୍ଟ ପ୍ରେକ୍ଷାଳୟ ବନ୍ଦ ହେବାରେ ଲାଗିଛି । ଆମ ପଡ଼ୋଶୀରାଷ୍ଟ୍ର ଚ଼ୀନରେ ବିଗତ କିଛି ବର୍ଷ ମଧ୍ୟରେ ସରକାରୀ ପ୍ରୋତ୍ସାହନ ହେତୁ ପ୍ରେକ୍ଷାଳୟ ବୃଦ୍ଧିକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସଂଭବପର ହୋଇପାରିଛି । ଭାରତରେ ୧୩୪ କୋଟି ଜନସଂଖ୍ୟା ନିମନ୍ତେ ୯,୦୦୦ ପ୍ରେକ୍ଷାଳୟ ଥିବାବେଳେ ଚ଼ୀନରେ ୧୩୮ କୋଟି ଜନସଂଖ୍ୟା ନିମନ୍ତେ ୪୦,୦୦୦ ପ୍ରେକ୍ଷାଳୟ ଉପଲବ୍ଧ । ସେହିପରି ଆମଦେଶରେ ୧,୫୪,୦୦୦ ଜନସଂଖ୍ୟା ପାଇଁ ଗୋଟିଏ ପ୍ରେକ୍ଷାଳୟ ଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ୭,୯୫୦ ଜନସଂଖ୍ୟା ପାଇଁ ଗୋଟିଏ ପ୍ରେକ୍ଷାଳୟ ରହିଥିବା ହିସାବ କରାଯାଇଥାଏ ।


 

ବିଗତ ୨୦୧୧ ମସିହାବେଳକୁ ଚ଼ୀନରେ ପ୍ରେକ୍ଷାଳୟ ପରିସ୍ଥିତି ସମକାଳୀନ ଭାରତୀୟ ସ୍ଥିତିର ସମତୁଲ ଥିଲା । କିନ୍ତୁ ପ୍ରେକ୍ଷାଳୟ ଅଭିବୃଦ୍ଧିଲାଗି ସରକାରୀସ୍ତରରେ ପୁଞ୍ଜିଲଗାଣ ନିଷ୍ପତ୍ତି ନିଆଯିବାପରେ ମାତ୍ର ପାଞ୍ଚବର୍ଷ ମଧ୍ୟରେ ପରିସ୍ଥିତି ବଦଳିଗଲା । ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ନୀତିଶ ତିୱାରୀଙ୍କ ହିନ୍ଦି ଚଳଚ଼ିତ୍ର ‘ଦବଙ୍ଗ’ ପ୍ରଥମ ପର୍ଯ୍ୟାୟରେ ଭାରତରେ ପ୍ରାୟ ୬ କୋଟି ଲୋକ ଦେଖିଥିବା ତଥା ୬୦୦ କୋଟି ଟଙ୍କା ରାଜସ୍ୱ ଆଦାୟ କରିଥିବାବେଳେ ଚ଼ୀନରେ ୨୦୧୭ ମେ ମାସ ପ୍ରଥମ ସପ୍ତାହ ମୁକ୍ତିଲାଭ କରି ପ୍ରଥମ ଦୁଇମାସ ମଧ୍ୟରେ ୪୬ କୋଟି ଲୋକ ଦେଖିଥିବା ତଥା ୧,୨୨୫ କୋଟି ଟଙ୍କା ରାଜସ୍ୱ ଆଦାୟ କରାଇଥିବା ତଥ୍ୟ ଚ଼ୀନରେ ଚଳଚ଼ିତ୍ରଶିଳ୍ପ ଅଭିବୃଦ୍ଧିର ସୂଚ଼ନା ଦେଇଥାଏ ।


 

ସର୍ଜନାତ୍ମକ ଦୃଷ୍ଟିରୁ ବ୍ୟାବସାୟିକ ପୃଷ୍ଠଭୂମିରେ ହଲିଉଡ଼ ପଛକୁ ଭାରତ ଆନ୍ତର୍ଜାତିକକ୍ଷେତ୍ରରେ ନିଜର ଗୁରୁତ୍ୱ ବଜାୟ ରଖିଛି । ବର୍ତ୍ତମାନ ହିଟ ହିନ୍ଦି ଚଳଚ଼ିତ୍ରଗୁଡ଼ିକ ଭାରତ ତୁଳନାରେ ବିଦେଶୀ ବଜାରରେ ଅଧିକ ରାଜସ୍ୱ ଆଦାୟ କରୁଛନ୍ତି । ଉଦାହରଣ ସ୍ୱରୂପ ୨୦୧୬ ମସିହାରେ ପ୍ରଯୋଜିତ ‘ଦବଙ୍ଗ’ର ବ୍ୟାବସାୟିକ ଆୟ ୨୦୧୭ ଜୁନ ମାସ ସୁଦ୍ଧା ପ୍ରାୟ ୨,୦୦୦ କୋଟି ଟଙ୍କା ଆକଳନ କରାଯାଇଥିଲା ।


 

ଟେଲିଭିଜନ, ଅନ-ଲାଇନ ଷ୍ଟ୍ରୀମିଂ ଓ ମୋବାଇଲ ଫୋନରେ ଚଳଚ଼ିତ୍ର ଉପଭୋଗ କରିବା ଲୋକପ୍ରିୟ ହେବାପରେ ଦର୍ଶକ ପ୍ରେକ୍ଷାଳୟ ଯିବାକୁ ଆଗ୍ରହ ପ୍ରକାଶ କରୁନଥିବା ସମାଲୋଚ଼ନା ସତ୍ତ୍ୱେ ଭାରତୀୟ ଚଳଚ଼ିତ୍ର ଶିଳ୍ପର ୭୫ ପ୍ରତିଶତ ରାଜସ୍ୱ କେବଳ ପ୍ରେକ୍ଷାଳୟ ପ୍ରଦର୍ଶନରୁ ଆଦାୟ ହେଉଥିବା ହିସାବ କରାଯାଇଛି । ଏହି କାରଣରୁ ଦେଶରେ ପ୍ରେକ୍ଷାଳୟ ସଂଖ୍ୟା ବୃଦ୍ଧି ପାଇଲେ ଚଳଚ଼ିତ୍ରଶିଳ୍ପରେ ଉନ୍ନତି ସଂଭବପର ବୋଲି କୁହାଯାଇପାରେ ।


 

ଚଳଚ଼ିତ୍ରଶିଳ୍ପରେ ବ୍ୟାପକ ନିଯୁକ୍ତି ସୁଯୋଗ ଥିବା ତଥା ଆଞ୍ଚଳିକ ସାଂସ୍କୃତିକ ପ୍ରଚ଼ାର ଓ ପ୍ରସାରରେ ସହାୟତା କରୁଥିବା ହେତୁ ଚଳଚ଼ିତ୍ର ପ୍ରେକ୍ଷାଳୟ ବୃଦ୍ଧି ଅନୁକୁଳ ସରକାରୀ ନୀତିନିର୍ଦ୍ଧାରଣ ଆବଶ୍ୟକ । ସର୍ବୋପରି ସାର୍ବଜନୀନ ମନୋରଞ୍ଜନଲାଗି ଆଧୁନିକ ଚଳଚ଼ିତ୍ର ପ୍ରେକ୍ଷାଳୟ ମଡ଼େଲ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରୁଥିବା ହେତୁ ସାମାଜିକସ୍ତରରେ ଏହାର ଅଭିବୃଦ୍ଧିର ପ୍ରାସଙ୍ଗିକତାକୁ ଏଡ଼ାଇ ଦିଆନଯାଇପାରେ ।      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଡ଼ିସେମ୍ୱର ୨୦୧୭

ବିକଳ୍ପ ମଞ୍ଚରେ ବିକଳ୍ପ ଚଳଚ଼ିତ୍ର ପ୍ରଦର୍ଶନ

ଭାରତରେ ଚଳଚ଼ିତ୍ର ପ୍ରଦର୍ଶନ ଏକ ଲାଭଜନକ ବ୍ୟବସାୟ ରୂପେ ପରିଗଣିତ ହେଉଥିଲେ ହେଁ ନିବେଶ ତୁଳନାରେ ତ୍ୱରିତ ଆୟରେ ଅସଂଗତି, ପ୍ରଦର୍ଶନ ପରିବେଶରେ ନବୀକରଣ ଆବଶ୍ୟକତା ତଥା ପ୍ରଚଳିତ ପ୍ରଶାସନିକ କଟକଣା ହେତୁ ନୈରାଶ୍ୟଜନକ ସ୍ଥିତିରେ ରହିଆସିଛି ।ଭାରତଭଳି ଜନବହୁଳ ପଡ଼ୋଶୀ ଚ଼ୀନରେ ପଚ଼ାଶ ହଜାର ଚଳଚ଼ିତ୍ର ପ୍ରେକ୍ଷାଳୟ ଥିବାସ୍ଥଳେ ଏଠାରେ ଦଶ ହଜାରରୁ ସାମାନ୍ୟ ଅଧିକ ପ୍ରେକ୍ଷାଳୟ କାର୍ଯ୍ୟକ୍ଷମଥିବା ହିସାବ କରାଯାଇଥାଏ ।


 

ଗତ ଶତାଦ୍ଦୀର ଅଷ୍ଟମ ଦଶକ ଆରମ୍ଭରୁ ଉପଗ୍ରହସେବା ଯୋଗେ ଦେଶବ୍ୟାପୀ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସାରଣ ସ୍ୱାଧୀନୋତ୍ତର ଅବସ୍ଥାରୁ କ୍ରମବର୍ଦ୍ଧମାନ ଚଳଚ଼ିତ୍ର ପ୍ରେକ୍ଷାଳୟ ଶିଳ୍ପକୁ ପ୍ରଥମ ଧକ୍କା ଦେଇଥିଲା । ଦୂରଦର୍ଶନ ଏକକ ଚ଼୍ୟାନେଲଭାବେ ଦର୍ଶକଙ୍କ ବାସଗୃହରେ ମନୋରଞ୍ଜନ ଓ ସମ୍ୱାଦ ପ୍ରସାରଣର ମାଧ୍ୟମରୂପେ ମୁଣ୍ଡ ଟେକିଥିବା ସ୍ଥଳେ ନବମ ଦଶକ ପ୍ରାରମ୍ଭରୁ କେବଲ ଟେଲିଭିଜନ ଯୋଗେ ଏକାଧିକ ଚ଼୍ୟାନେଲ ପ୍ରସାରଣର ସୁବିଧାସୁଯୋଗ ହେତୁ ଚଳଚ଼ିତ୍ର ପ୍ରେକ୍ଷାଳୟ ଶିଳ୍ପ ଦ୍ୱିତୀୟ ଧକ୍କାର ସମ୍ମୁଖୀନ ହୋଇଥିଲା ।


 

ତେବେ ଚଳିତ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ସ୍ମାର୍ଟଫୋନ ବ୍ୟବହାର ପ୍ରସାର ଏବଂ ସାଧାରଣ ନାଗରିକ ସ୍ମାର୍ଟଫୋନ ପରଦାରେ ସାପ୍ତାହିକ ହାରାହାରି ଆଠରୁ ନଅ ଘଣ୍ଟା ଭିଡ଼ିଓ ଦେଖା ଭାରତୀୟ ଦର୍ଶକଙ୍କ ଚଳଚ଼ିତ୍ର ଉପଭୋଗ ଅଭ୍ୟାସରେ ଗୁରୁତର ପରିବର୍ତ୍ତନ ଆଣିଛି ଏବଂ ଚଳଚ଼ିତ୍ର ପ୍ରେକ୍ଷାଳୟ ଶିଳ୍ପ ଏହି କାରଣରୁ ତୃତୀୟ ଧକ୍କା ପାଇଛି ।


 

ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଚଳିତ ଦଶକର ମଧ୍ୟଭାଗରୁ ଇଣ୍ଟରନେଟଭିତ୍ତିକ ‘ଓଭର-ଦି-ଟପ’ (ଓଟିଟି) ଜ୍ଞାନକୌଶଳ ବ୍ୟବହାରରେ ସୃଷ୍ଟ ଚଳଚ଼ିତ୍ର ଷ୍ଟ୍ରୀମିଂ ବ୍ୟବସାୟ ଚଳଚ଼ିତ୍ର ପ୍ରଦର୍ଶନ ଲାଗି ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚୁଛି ଏବଂ ଚଳଚ଼ିତ୍ର ପ୍ରଯୋଜନା, ବିତରଣ ତଥା ପ୍ରଦର୍ଶନ କ୍ଷେତ୍ରରେ ନୂତନ ମଡ଼େଲ ସୃଷ୍ଟି କରିବାରେ ଲାଗିଛି । ୨୦୧୮ ଶେଷ ସୁଦ୍ଧା ଭାରତୀୟ ଚଳଚ଼ିତ୍ର ତିନି ଗୋଟି ଭିନ୍ନ ପରିବେଶରେ ପ୍ରଦର୍ଶିତ ହେଉଛି । ଏକ: ପାରମ୍ପରିକ ଏକକ ରୂପେଲୀ ପରଦା, ଦୁଇ: ବହୁ ପରଦାବିଶିଷ୍ଟ ମଲ୍ଟିପ୍ଳେକ୍ସ ଓ ତିନି: ଇଣ୍ଟରନେଟଭିତ୍ତିକ ଓଟିଟି ମଞ୍ଚ ।


 

ଭାରତ ସରକାରଙ୍କ ଟେଲିଯୋଗାଯୋଗ ମନ୍ତ୍ରଣାଳୟର ସୂଚ଼ନା ଅନୁଯାୟୀ ୨୦୧୮ ଅଗଷ୍ଟ ମାସ ସୁଦ୍ଧା ୪୬ କୋଟି ୩୬ ଲକ୍ଷ ବ୍ରଡ଼ବ୍ୟାଣ୍ଡ ସଂଯୋଗ କାର୍ଯ୍ୟକ୍ଷମ ଥିଲା । ଅର୍ଥାତ ଦେଶର ପ୍ରାୟ ୩୯ ପ୍ରତିଶତ ନାଗରିକଙ୍କ ପାଇଁ କମ୍ପ୍ୟୁଟର, ଲ୍ୟାପଟପ, ଟେବଲେଟ ଓ ସ୍ମାର୍ଟଫୋନ ଯୋଗେ ଚଳଚ଼ିତ୍ର ଉପଭୋଗ ସମ୍ଭବ । ଏମାନେ ଓଟିଟି ଚଳଚ଼ିତ୍ର ଷ୍ଟ୍ରୀମିଂ ସେବାର ସମ୍ଭାବ୍ୟ ଉପଭୋକ୍ତା ଏବଂ ଏହି ବ୍ୟବସାୟ ବାର୍ଷିକ ୪୫ ପ୍ରତିଶତ ହାରରେ ୨୦୨୩ ଯାଏଁ ବୃଦ୍ଧିପାଇବ ବୋଲି ଗବେଷଣା ସଂସ୍ଥା କେଏମପିଜି ପକ୍ଷରୁ ଆକଳନ କରାଯାଇଛି ।


 

ଦେଶର ଓଟିଟି ଭିଡ଼ିଓ ମଞ୍ଚରେ ତିନିଗୋଟି ଦିଗକୁ ନେଇ ଅଗ୍ରଣୀ ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କେନ୍ଦ୍ରୀଭୂତ ହୋଇଛି । ପ୍ରସାରଣ ନିମନ୍ତେ ମୌଳିକ କାର୍ଯ୍ୟକ୍ରମ, ବିଭିନ୍ନ ଭାରତୀୟ ଭାଷା ନିମନ୍ତେ ଉପାଦାନ ତଥା ଗ୍ରାହକ ଚ଼ାନ୍ଦା ସେଥିରେ ଅନ୍ତର୍ଭୁକ୍ତ । ଏତାଦୃଶ ପରିବେଶ ଓଡ଼ିଆ ଭଳି ଆଞ୍ଚଳିକ ଭାଷା ନିମନ୍ତେ ନିକଟ ଭବିଷ୍ୟତରେ ବେଶ ଅନୁକୂଳ ସାଜିବ । ପ୍ରଥମତଃ ଓଟିଟି ଭିଡ଼ିଓ ପ୍ରସ୍ତୁତିରେ ଓଡ଼ିଆ ଭାଷା ଭାଗୀଦାର ହେବ, ଦ୍ୱିତୀୟତଃ ମୌଳିକ ଭିଡ଼ିଓ ପ୍ରଯୋଜନାକୁ ଉତ୍ସାହିତ କରାଯିବା ଅବସରରେ ଓଡ଼ିଆ କାର୍ଯ୍ୟକ୍ରମର ଗୁଣବତ୍ତା ବୃଦ୍ଧି ପାଇବ ଏବଂ ତୃତୀୟତଃ ଗ୍ରାହକ ଚ଼ାନ୍ଦା ଲଢ଼େଇରେ ଓଡ଼ିଶା ଉପଭୋକ୍ତାମାନେ ଲାଭବାନ ହେବେ ।


 

‘ନେଟଫ୍ଳିକ୍ସ’ ଓ ‘ଆମେଜନ’ ପକ୍ଷରୁ ମୌଳିକ କାର୍ଯ୍ୟକ୍ରମ ପ୍ରଯୋଜନାରେ ପ୍ରଚୁର ନିବେଶ କରୁଛନ୍ତି ।ଆମେଜନ ପକ୍ଷରୁ ହିନ୍ଦି ବ୍ୟତିତ ଛଅଗୋଟି ଭାଷାରେ ୩୦ ଗୋଟି ମୌଳିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଚ଼ାଲିଛି ।ସେଗୁଡ଼ିକ ୨୦୧୯ରେ ପ୍ରଦର୍ଶିତ ହେବ ।ଏଥି ମଧ୍ୟରେ ଓଡ଼ିଆ ଅନ୍ତର୍ଭୁକ୍ତ ନଥିଲେ ହେଁ ନିକଟ ଭବିଷ୍ୟତାରେ ସାମିଲ ହେବା ସମ୍ଭବ। ବିଶ୍ୱ ଗଣମାଧ୍ୟମ ମୋଗଲ ମୁଦ୍ରୋଚ଼ଙ୍କ ‘୨୧ ସେଞ୍ଚୁରି ଫକ୍ସ’ ପରିଚ଼ାଳିତ ‘ହଟଷ୍ଟାର’ ଆପ୍ଲିକେସନ ଭାରତରେ ୩୦ କୋଟି ଡ଼ାଉନଲୋଡ଼ ହୋଇଛି ।‘ହଟଷ୍ଟାର’ କେତେକ କାର୍ଯ୍ୟକ୍ରମ ମାଗଣାରେ ପ୍ରଦର୍ଶିତ କରୁଥିବା ସ୍ଥଳେ ଅନ୍ୟ କେତେକ କାର୍ଯ୍ୟକ୍ରମ କେବଳ ଗ୍ରାହକମାନଙ୍କୁ ଉପଭୋଗର ସୁଯୋଗ ଦେଇଥାଏ ।‘ହଟଷ୍ଟାର’ ଓ ଆମେଜନ ବାର୍ଷିକ ୯୯୯ ଟଙ୍କା ଗ୍ରାହକ ଚ଼ାନ୍ଦା ଦାବୀ କରିଥାନ୍ତି । ଅନ୍ୟତମ ଅଗ୍ରଣୀ ନେଟଫ୍ଲିକ୍ସ ମାସିକ ୫୦୦ ଟଙ୍କା ଗ୍ରାହକ ଚ଼ାନ୍ଦା ଧାର୍ଯ୍ୟ କରିଛି । ତେବେ ଏମାନଙ୍କ ସହ ‘ଜୀ’ ଓ ‘ଜିଓ’ ଭଳି ମଞ୍ଚ ସାମିଲ ହେବାପରେ ଗ୍ରାହକ ଚ଼ାନ୍ଦା କମିଯିବା ଆଶା କରାଯାଇପାରେ ।


 

ହଟଷ୍ଟାର ଓ ଜିଓ କ୍ରୀଡ଼ା କାର୍ଯ୍ୟକ୍ରମ ପ୍ରଦର୍ଶନରେ ଏକଚ଼ାଟିଆ ଅଧିକାରକୁ ପ୍ରାଧାନ୍ୟ ଦେଉଥିବା ସ୍ଥଳେ ନେଟଫ୍ଳିକ୍ସ ଓ ଆମେଜନ ପକ୍ଷରୁ ଚଳଚ଼ିତ୍ରକୁ ଗୁରୁତ୍ୱ ଦିଆଯାଉଛି । ଓଟିଟି ଭିଡ଼ିଓ ୨୦୧୮ ଶେଷସୁଦ୍ଧା ପ୍ରାୟ ୨୦ କୋଟି ଉପଭୋକ୍ତା ନିୟମିତ ଉପଭୋଗ କରୁଥିବା ସ୍ଥଳେ କେତେକ ତତ୍ତ୍ୱବିତଙ୍କ ମତରେ ଆଗାମୀ ୨୦୨୩ ସୁଦ୍ଧା ୭୦ କୋଟିରେ ପହଞ୍ଚିବ । ସର୍ବଭାରତୀୟ ସ୍ଥିତି ସହ ସମତାଳ ଦେଇ ଓଡ଼ିଶାରେ ମଧ୍ୟ ଓଟିଟି ଉପଭୋକ୍ତା ବୃଦ୍ଧି ଆଞ୍ଚଳିକ ଭାଷାରେ ଚଳଚ଼ିତ୍ର ପ୍ରଯୋଜନା ଓ ପ୍ରଦର୍ଶନ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ଆଶା କରାଯାଇପାରେ ।


 

ପାରମ୍ପରିକ ପ୍ରେକ୍ଷାଳୟଗୁଡ଼ିକରେ ପ୍ରଦର୍ଶନ ଲାଗି ମୁଖ୍ୟସ୍ରୋତର ଚଳଚ଼ିତ୍ର ନିର୍ମାଣ ପ୍ରତି ଧ୍ୟାନ ଦିଆଯାଉଥିବା ସ୍ଥଳେ ନେଟଫ୍ଳିକ୍ସ, ଆମେଜନ ଭଳି ମଞ୍ଚରେ ବିକଳ୍ପ ଚଳଚ଼ିତ୍ରକୁ ଅଗ୍ରାଧିକାର ଦିଆଯାଉଛି ।ଭାରତୀୟ ଚଳଚ଼ିତ୍ର ଜଗତରେ ଧରାବନ୍ଧା ନିୟମକାନୁନରୁ ମୁକ୍ତ ଚଳଚ଼ିତ୍ରଗୁଡ଼ିକୁ କଳାତ୍ମକ ଅଭିହିତ କରାଯାଉଥିଲା । ପରବର୍ତ୍ତୀ ଅବସ୍ଥାରେ ତାହା ସମାନ୍ତରାଳ ଚଳଚ଼ିତ୍ର ରୂପେ ପରିଚ଼ିତ ହେଲା । ବର୍ତ୍ତମାନ ସେହି ଧରଣର ଚଳଚ଼ିତ୍ରକୁ ବିକଳ୍ପ ଚଳଚ଼ିତ୍ର ଆଖ୍ୟା ଦିଆଯାଉଛି ।


 

ବିକଳ୍ପ ଚଳଚ଼ିତ୍ରଗୁଡ଼ିକରେ ବଳିଷ୍ଠ କାହାଣୀ, ବାସ୍ତବଧର୍ମୀ ଅଭିନୟ ଓ ଉନ୍ନତ ବୈଷୟିକ କୌଶଳ ଉପଯୋଗ କରାଯାଉଥିବା ସ୍ଥଳେ ଗତାନୁଗତିକତାରୁ ମୁକ୍ତ ସର୍ଜନଶୀଳତା ସାଧାରଣ ଦର୍ଶକ ମହଲରେ କ୍ରମେ ଲୋକପ୍ରିୟ ହେବାରେ ଲାଗିଛି । ଓଟିଟି ମଞ୍ଚରେ ପ୍ରଦର୍ଶିତ ଚଳଚ଼ିତ୍ରଗୁଡ଼ିକର ପ୍ରଚ଼ାର ଶୈଳୀ ଓ ବ୍ୟବସାୟିକ ରଣନୀତି ଗୁଣାତ୍ମକ ଅଭିବୃଦ୍ଧିରେ ସହାୟକ ହୋଇପାରୁଛି । ଏହି ଧାରା ବଳବତ୍ତର ରହିଲେ ଏବଂ ଆଞ୍ଚଳିକ ଚଳଚ଼ିତ୍ରଗୁଡ଼ିକ ପାଇଁ ପରିବ୍ୟାପ୍ତ ହେଲେ ଭବିଷ୍ୟତରେ ଓଡ଼ିଆ ଚଳଚ଼ିତ୍ର ମଧ୍ୟ ଗୁରୁତ୍ୱ ହାସଲ କରିବା ବିଶ୍ୱାସ କରାଯାଇପାରେ ।


 

ପ୍ରମୁଖ ବିକଳ୍ପ ଚଳଚ଼ିତ୍ର ନିର୍ଦ୍ଦେଶକ ଓ ନିର୍ମାତାମାନେ ଓଟିଟି ଭିଡ଼ିଓ ମଞ୍ଚକୁ ସ୍ୱାଗତ କରୁଛନ୍ତି ।‘ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ୨୦୧୮’ ଆୟୋଜନ ଅବସରରେ ଗୋଆରେ ‘ଇଣ୍ଡିଆନ ପାନୋରାମା’ରେ ପ୍ରଦର୍ଶନ ନିମନ୍ତେ ମନୋନୀତ ‘ଭୟାନକମ’, ‘ଭୋର’, ‘ଧାପା’, ‘ଉମା’ ଓ ‘ବରାମ’ ଭଳି ଆଞ୍ଚଳିକ ବିକଳ୍ପ ଚଳଚ଼ିତ୍ରର ନିର୍ଦ୍ଦେଶକମାନେ ଏକ ସାମ୍ୱାଦିକ ସମ୍ମିଳନୀରେ ଚଳଚ଼ିତ୍ର ପ୍ରଦର୍ଶନ କ୍ଷେତ୍ରରେ ଓଟିଟି ବିକଳ୍ପ ମଞ୍ଚ ସୃଷ୍ଟି କରୁଛି ବୋଲି କହିଥିଲେ । ଏସବୁ ଚଳଚ଼ିତ୍ରର କାହାଣୀଗୁଡ଼ିକ ଗତାନୁଗତିକତାରୁ ଦୂରେଇ ଯାଇ ଚ଼ିନ୍ତା ଉଦ୍ରେକକାରୀ ବିଷୟବସ୍ତୁ ଉପରେ ଆଧାରିତ ।


 

‘ଭୟାନକମ’ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ଜଣେ ବିଦ୍ୟାଙ୍ଗ ଡ଼ାକବାଲାର ଭରାକ୍ରାନ୍ତ ମାନସିକତା ଚ଼ିତ୍ରିତ ହୋଇଥିବା ସ୍ଥଳେ ହିନ୍ଦି ଚଳଚ଼ିତ୍ର ‘ଭୋର’ରେ ବିହାର ରାଜ୍ୟରେ ସହରତଳି ଅଞ୍ଚଳରେ ବସବାସ କରୁଥିବା ମୁସାହାର ସମ୍ପ୍ରଦାୟର ସାମାଜିକତା ବିଶ୍ଳେଷଣ କରାଯାଇଛି । ମରାଠୀ ଚଳଚ଼ିତ୍ର ‘ଧାପା’ରେ ଏକ ଶିଶୁର ଦୃଷ୍ଟିରେ ବିଦ୍ୟାଳୟରେ ପଢ଼ାଯାଉଥିବା ନୀତିଶିକ୍ଷା ଓ ବାସ୍ତବ ଜୀବନରେ ବିଶୃଙ୍ଖଳା, ବଙ୍ଗଳା ଚଳଚ଼ିତ୍ର ‘ଉମା’ରେ ଜଣେ ରୋଗାକ୍ରାନ୍ତ ଶିଶୁର ଅଭିଳାଷ ପୂରଣ ନିମନ୍ତେ ଅଦିନରେ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ଅଭିଜ୍ଞତା ତଥା ତାମିଲ ଚଳଚ଼ିତ୍ର ‘ବରାମ’ରେ ପତ୍ନୀହରା ଜଣେ ରାତ୍ର ଜଗୁଆଳର ବାର୍ଦ୍ଧକ୍ୟ ଜୀବନ ତର୍ଜମା କରାଯାଇଛି ।


 

‘ମେକ ଇନ ଓଡ଼ିଶା ୨୦୧୮’ କନକ୍ଳେଭରେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସଂପର୍କରେ ଏକ ଅଧିବେଶନରେ ଆୟୋଜନ କରାଯାଇଥିଲା । ଏହି ଅବସରରେ ଶିଳ୍ପମନ୍ତ୍ରୀ କଳିଙ୍ଗ ଷ୍ଟୁଡ଼ିଓର ପୁନର୍ନିମାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଚ଼ାରିକୋଟି ଟଙ୍କା ବିନିଯୋଗ କରାଯାଇଥିବା ତଥା ମଲ୍ଟିପ୍ଳେକ୍ସ ନିର୍ମାଣ ପାଇଁ ସୁବିଧାରେ ଜମି ଯୋଗାଣ ଭଳି ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରିଥିବା ସମ୍ୱାଦପତ୍ର ବିବରଣୀରେ ପ୍ରକାଶିତ ହୋଇଥିଲା ।


 

ଓଡ଼ିଆ ଚଳଚ଼ିତ୍ରର ଉନ୍ନତି ନିମନ୍ତେ ଶିଳ୍ପ ସଂଘ ‘ଫିକି’ ଏକ ଡ୍ରାଫ୍ଟ ନୀତି ପ୍ରସ୍ତୁତ କରିଥିବା ଏବଂ ରାଜ୍ୟ ସରକାର ୧୯୭୪ରେ ପ୍ରଣୀତ ଚଳଚ଼ିତ୍ର ନୀତିର ପୁର୍ନବିନ୍ୟାସ କରିବା ନିମନ୍ତେ ଉଦ୍ୟମ କରୁଥିବା କନକ୍ଳେଭରେ ଘୋଷିତ ହୋଇଥିଲା । ତେବେ ସେହି କନକ୍ଳେଭରେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଓଡ଼ିଶାରେ ମୁଣ୍ଡପିଛା ମୋବାଇଲ ଡ଼ାଟା ବ୍ୟବହାରରେ ସର୍ବଭାରତୀୟସ୍ତରରେ ପ୍ରଥମ ଥିବା ଉଲ୍ଲେଖ କରିଥିଲେ । ତେଣୁ ପରିବର୍ତ୍ତିତ ପରିବେଶରେ ଭବିଷ୍ୟତରେ ଓଡ଼ିଆ ଚଳଚ଼ିତ୍ରର ବିକାଶ ନିମନ୍ତେ ଭିତ୍ତିଭୂମି ବିକାଶ ନିମନ୍ତେ ଷ୍ଟୁଡ଼ିଓ, ମଲ୍ଟିପ୍ଳେକ୍ସ ନା ଆଉ କିଛି ଆବଶ୍ୟକ ସେ ବିଷୟରେ ଚ଼ିନ୍ତା କରିବାର ସମୟ ଆସି ପହଞ୍ଚିଛି । ବିକଳ୍ପ ମଞ୍ଚରେ ବିକଳ୍ପ ଚଳଚ଼ିତ୍ରକୁ ଆମେ ଗୁରୁତ୍ୱ ଦେବାନି କି ?       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୦ ନଭେମ୍ୱର ୨୦୧


ତଥ୍ୟ:


 

Netflix fights Rupert Murdoch for booming movie-mad Indian mkt. The Times of India  (Bhubaneswar Edition). November 15, 2018


 

‘Alternative cinema getting OTT platforms a good sign’.The Hindu (Bhubaneswar Edition). November 24, 2018


 

ଘୋଷଣା ହେବ ନୂଆ ସିନେମା ନୀତି I ଧରିତ୍ରୀ (ବ୍ରହ୍ମପୁର ସଂସ୍କରଣ) ୧୬ ନଭେମ୍ୱର ୨୦୧୮

ମୁକ୍ତ ଆକାଶ ପ୍ରେକ୍ଷାଳୟ

ମହାମାରୀ-ପର ମନୋରଞ୍ଜନ ପରିଧିରେ ମୁକ୍ତ ଆକାଶ ଚଳଚ଼ିତ୍ର ପ୍ରେକ୍ଷାଳୟ ଓ ମୁକ୍ତ ଆକାଶ ରଙ୍ଗମଞ୍ଚ ଶୈଳୀର ଗୁରୁତ୍ୱ ବୃଦ୍ଧି ଆଶା କରାଯାଇପାରେ । ଭାରତ ସରକାର ‘ଅନଲକ ୪.୦’ ଅବସରରେ ନୀତିଗତ ଭାବେ ମୁକ୍ତ ଆକାଶ ରଙ୍ଗମଞ୍ଚ ‘ଓପନ ଏୟାର ଥିଏଟର’ରେ ପ୍ରଦର୍ଶନ ଲାଗି ଅନୁମତି ପ୍ରଦାନ କରିଛନ୍ତି । ‘କୋଭିଡ଼-୧୯’ ସଂକ୍ରମଣରେ ୧୫ ମାର୍ଚ୍ଚ ୨୦୨୦ରୁ ଦେଶର ଚଳଚ଼ିତ୍ର ପ୍ରେକ୍ଷାଳୟ ଓ ଥିଏଟରଗୁଡ଼ିକରେ ପ୍ରଦର୍ଶନ ବନ୍ଦ ରହିଥିବା ସ୍ଥଳେ ଛଅମାସ ପରେ ମୁକ୍ତ ପରିବେଶରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ପରିବର୍ତ୍ତିତ ସ୍ୱାଭାବିକ ଅବସ୍ଥା ‘ନିଉ ନରମାଲ’ର ଅଂଶବିଶେଷ କି ବୋଲି ପ୍ରଶ୍ନ ଉଠିଥିଲା ।


 

ମହାମାରୀଜନିତ ଜନପଦ ବନ୍ଦ ‘ଲକ ଡାଉନ’ କାଳରେ ଜନସାଧାରଣ ଗୃହାବଦ୍ଧ ଅବସ୍ଥାରେ ଟେଲିଭିଜନ ଓ ଅନଲାଇନ ମନୋରଞ୍ଜନରେ ସଂଶ୍ଳିଷ୍ଟ ହୋଇପଡ଼ିଥିଲେ । ଏହି ଅବସରରେ ଗୁଣାତ୍ମକ କାର୍ଯ୍ୟକ୍ରମ ଉପଭୋଗ ନିମନ୍ତେ ଏମଏକ୍ସ ପ୍ଳେୟାର, ହଟଷ୍ଟାର, ନେଟଫ୍ଲିକ୍ସ ଓ ଆମେଜନ ପ୍ରାଇମଭଳି ‘ଓଭର-ଦି-ଟପ’ ମଞ୍ଚ ଗୁଡ଼ିକର ଲୋକପ୍ରିୟତା ବଢ଼ିଥିଲା । ଥିଏଟରରେ ନାଟକ ପରିବେଷଣ ବନ୍ଦ ହୋଇଯିବା ଅବସରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ‘ବ୍ରଡ଼-ୱେ’ର ନାଟ୍ୟ ସଂସ୍ଥାମାନେ ଅନଲାଇନରେ ନାଟ୍ୟ ପରିବେଷଣ ଷ୍ଟ୍ରୀମିଂ କରିବା ନିମନ୍ତେ ପଛଘୁଞ୍ଚା ଦେଇନଥିଲେ । ତେବେ ମହାମାରୀର ପ୍ରଭାବ କେତେକାଳ ବଳବତ୍ତର ରହିବ ସେ ସଂପର୍କରେ ସ୍ପଷ୍ଟ ଆକଳନ ସଂଭବପର ହୋଇପାରୁ ନଥିବା ସ୍ଥଳେ ବିକଳ୍ପ ପରିବେଶ ସଂପର୍କରେ ଚିନ୍ତନ ଯୁକ୍ତିଯୁକ୍ତ ମନେହୁଏ ।


 

ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସେପ୍ଟେମ୍ୱର ୨୦୨୦ ସୁଦ୍ଧା ବିଚାର ଅନୁଯାୟୀ ‘ସାର୍ସ-କରୋନା-୨’ ଭୂତାଣୁ ଅତିମାତ୍ରାରେ ସଂକ୍ରମଣପ୍ରବଣ ଏବଂ ମୁକ୍ତ ତୁଳନାରେ ଆବଦ୍ଧ ପରିବେଶରେ ବ୍ୟାପକ ସଂକ୍ରମିତ ହୋଇଥାଏ । ଏହି କାରଣରୁ ଶିକ୍ଷାନୁଷ୍ଠାନ, ଧାର୍ମିକ ଉପାସନା ପୀଠ ଓ ପ୍ରେକ୍ଷାଳୟ ଗୁଡ଼ିକରେ ଜନସମାଗମ ସରକାରୀସ୍ତରରେ ବାରଣ କରାଯାଇନଥିଲା । ମହାମାରୀର ପ୍ରକୋପ ଜାରୀ ରହିଥିବା ଯାଏଁ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇନଥିଲା ।


 

ମହାମାରୀର ସମ୍ଭାବ୍ୟ ଅବଧି ନିର୍ଦ୍ଧାରଣ ନିମନ୍ତେ ଦୁଇ ଗୋଟି ଯୁକ୍ତି ବିଚାରକୁ ଆସିଥାଏ । ପ୍ରଥମତଃ, ଅତୀତ ଅଭିଜ୍ଞତାରୁ ୧୯୧୮ର ‘ସ୍ପାନିଶ ଫ୍ଲୁ’ ଦୁଇ ବର୍ଷରେ ତିନିଗୋଟି ତରଙ୍ଗରେ ସୀମାବଦ୍ଧ ଥିଲା । ତେଣୁ ହୁଏତ ‘କୋଭିଡ଼-୧୯’ ଦୁଇ ବର୍ଷ ଯାଏଁ କାୟା ମେଲାଇ ପାରେ ବୋଲି ଆକଳନ କରାଯାଇଥିଲା । ଦ୍ୱିତୀୟତଃ, ୨୦୨୦ ଶେଷ କିମ୍ୱା ୨୦୨୧ ସୁଦ୍ଧା ପ୍ରତିଷେଧକ ଟୀକା ଉଦ୍ଭାବିତ ହୋଇପାରିଲେ, ଅନ୍ତତଃ ମାର୍ଚ୍ଚ ସୁଦ୍ଧା ଭାରତରେ ଟୀକାକରଣ ଆରମ୍ଭ କରାଗଲେ, ମାସିକ ପନ୍ଦର କୋଟି ଟୀକାକରଣ ଲକ୍ଷ୍ୟ ଧାର୍ଯ୍ୟରେ ଭାରତରେ ସମସ୍ତ ନାଗରିକଙ୍କ ଟୀକାକରଣ ନିମନ୍ତେ ଛଅରୁ ନଅମାସ ସମୟ ଲାଗିଯିବ । ଉଭୟ ହିସାବରେ ୨୦୨୧ ଶେଷ ୨୦୨୨ ଆରମ୍ଭ ସୁଦ୍ଧା ମହାମାରୀର ପ୍ରକୋପ କମିବା ଆଶା କରାଯାଇଥିଲା ।


 

ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଟୀକାକରଣ ପରେ ମଧ୍ୟ ‘ସାର୍ସ-କରୋନ-୨’ ଭୂତାଣୁ ସହ ଜନସାଧାରଣଙ୍କୁ ବଞ୍ଚିବାକୁ ପଡ଼ିବ । ଅର୍ଥାତ ଭୂତାଣୁ ପ୍ରତିରୋଧରେ ଦୀର୍ଘକାଳ ଯାଏଁ ନାକ ଓ ମୁହଁ ଘୋଡ଼ାଇବା ପାଇଁ ମାସ୍କ ପିନ୍ଧିବା, ବ୍ୟକ୍ତିବ୍ୟକ୍ତିଙ୍କ ମଧ୍ୟରେ ଶାରିରୀକ ଦୂରତ୍ୱ ରଖିବା, ବାରମ୍ୱାର ହାତ ଧୋଇବା, ଭିଡ଼ରୁ ଦୂରେଇ ରହିବା ଓ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଭଳି ଅଭ୍ୟାସରୁ ଅବ୍ୟାହତି ମିଳିବ ନାହିଁ । ଏହି କଟକଣା ପ୍ରଚଳିତ ଚଳଚ଼ିତ୍ର ପ୍ରେକ୍ଷାଳୟ ଓ ମଞ୍ଚ ସଂସ୍କୃତିର ବିରୁଦ୍ଧାଚରଣ କରିଥାଏ ।


 

ପରିବର୍ତ୍ତିତ ସ୍ୱାଭାବିକ ପରିବେଶ ‘ନିଉ ନରମାଲ’ରେ ଜନସାଧାରଣ ଭୂତାଣୁ ସଂକ୍ରମଣ ଭୟରେ ଆବଦ୍ଧ ପରିବେଶ ବଦଳରେ ମୁକ୍ତ ପରିବେଶକୁ ଯଦି ଅଗ୍ରାଧିକାର ଦେବେ, ତେବେ ଉପଭୋକ୍ତାଙ୍କ ରୁଚ଼ିକୁ ସୁହାଇବା ଭଳି ମନୋରଞ୍ଜନ ମଡ଼େଲମାନ ଗଢ଼ି ଉଠିବା ସ୍ୱାଭାବିକ । ମୋବାଇଲ ଫୋନ, ଟେଲିଭିଜନ ପର୍ଦ୍ଦାରେ ଦୈନନ୍ଦିନ କାର୍ଯ୍ୟାବଳୀ ଓ ମନୋରଞ୍ଜନ ନିମନ୍ତେ ଦୀର୍ଘ ସମୟ ଅତିବାହିତ କରିବା ପରେ ଜନସାଧାରଣ ଗୃହ ବାହାରେ ମନୋରଞ୍ଜନ ସୂତ୍ର ଖୋଜିବେ । ନିବୁଜ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ଦର୍ଶକଙ୍କୁ ଆକୃଷ୍ଟ ନ କରିପାରିଲେ ମୁକ୍ତ ଆକାଶ ଚଳଚ଼ିତ୍ର ପ୍ରେକ୍ଷାଳୟ ଏକ ବ୍ୟାବସାୟିକ ବିକଳ୍ପ ରୂପେ ମୁଣ୍ଡ ଟେକିପାରେ ।


 

ସମସାମୟିକ ଭାରତୀୟ ସଂସ୍କୃତି ‘ପାପୁଲାର କଲଚ଼ର’ରେ ଚଳଚ଼ିତ୍ର ଦେଖା ପରିବାର କିମ୍ୱା ବନ୍ଧୁବର୍ଗଙ୍କ ଗହଣରେ ବାହାରେ କିଛି ସମୟ କାଟିବା ଓ ଖାଇବାପିଇବାରେ ଯୋଡ଼ି ହୋଇଯାଇଛି । ମୁଖ୍ୟତଃ ବଡ଼ ସହରଗୁଡ଼ିକରେ ମଲଟିପ୍ଲେକ୍ସ ଓ ମଲ ଲୋକପ୍ରିୟତା ହାସଲ କରିବାପରେ ଚଳଚ଼ିତ୍ରର କଳାତ୍ମକ ଅଭିବ୍ୟକ୍ତି କ୍ରମଶଃ ଗୁରୁତ୍ୱ ହରାଇ ଖାଦ୍ୟପେୟ, ମଉଜମଜଲିସ ମୁହାଁ ହେଉଥିବା ଲକ୍ଷ୍ୟ କରାଯାଏ । ମହାମାରୀ-ପର ଅବସ୍ଥାରେ ଉଭୟ ପ୍ରେକ୍ଷାଳୟ ଓ ରେଷ୍ଟୁରାଣ୍ଟ ଯଦି ବ୍ୟକ୍ତିବ୍ୟକ୍ତି ମଧ୍ୟରେ ଦୂରତ୍ୱରକ୍ଷା କାରଣରୁ ଅନୁପଯୁକ୍ତ କ୍ଷେତ୍ର ମନେ କରାଯାଏ, ତେବେ ମୁକ୍ତ ଆକାଶ ଚଳଚ଼ିତ୍ର ପ୍ରେକ୍ଷାଳୟ ମଡ଼େଲକୁ ଏକ ବିକଳ୍ପ ଆଶା କରାଯାଏ ।


 

ତେବେ ପାରମ୍ପରିକ ଭାବେ ମୁକ୍ତ ଆକାଶ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ମୁଖ୍ୟତଃ ‘ଡ୍ରାଇଭ-ଇନ ଥିଏଟର’ ପର୍ଯ୍ୟାୟଭୁକ୍ତ ହେଉଥିବା ହେତୁ ଛୋଟ ସହରରେ ବ୍ୟାବସାୟିକ ଦୃଷ୍ଟିରୁ ଲାଭପ୍ରଦ ବିଚାର କରାଯାଇପାରେନା । ଅନ୍ତତଃପକ୍ଷେ ପାଞ୍ଚ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଟ ସହରମାନଙ୍କରେ ମଟରଗାଡ଼ି ଯୋଗେ ସହରତଳି ଅଞ୍ଚଳରେ ଗଢ଼ି ଉଠୁଥିବା ପ୍ରକଳ୍ପ ଗୁଡ଼ିକ ଲାଗି ପର୍ଯ୍ୟାପ୍ତ ପରିମାଣରେ ଉପଭୋକ୍ତା ପହଞ୍ଚିବାରେ ଅଭାବ ପରିଲକ୍ଷିତ ହୋଇପାରେ । ଆମ ଦେଶ ତଥା ରାଜ୍ୟରେ ପାଞ୍ଚଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହର ସଂଖ୍ୟା ସୀମିତ । ଏଣୁ ‘ଡ୍ରାଇଭ-ଇନ-ଥିଏଟର’ ଯଦିବା ଚଳଚ଼ିତ୍ର ପ୍ରଦର୍ଶନ ପାଇଁ ବିକଳ୍ପ ଧାରା ରୂପେ ମୁଣ୍ଡ ଟେକିବ, ତେବେ ଏହି ଭଳି ପ୍ରକଳ୍ପଗୁଡ଼ିକର ସଂଖ୍ୟା ମଧ୍ୟ ସୀମିତ ରହିବ ।


 

କେବଳ ଭାରତ କାହିଁକି ବିଭିନ୍ନ ବିକଶିତ ରାଷ୍ଟ୍ରରେ ମଧ୍ୟ ମୁକ୍ତ ଆକାଶ ଚଳଚ଼ିତ୍ର ପ୍ରେକ୍ଷାଳୟର ସଂଖ୍ୟା ନଗଣ୍ୟ । ଦେଶରେ ଅହମ୍ମଦାବାଦଠାରେ ‘ସନସେଟ ଡ୍ରାଇଭ-ଇନ ଥିଏଟର’ ଏବଂ ଚ଼େନ୍ନାଇଠାରେ ‘ପ୍ରାର୍ଥନା ବିଚ଼ ଡ୍ରାଇଭ-ଇନ ଥିଏଟର’ ଦୀର୍ଘ କାଳରୁ ଚଳଚ଼ିତ୍ର ପ୍ରଦର୍ଶନ ବ୍ୟବସାୟ କରିଆସିଛି । ନିକଟ ଅତୀତରେ ଦିଲ୍ଲୀରେ ‘ସନସେଟ ସିନେମା କ୍ଳବ’, ଗୁରୁଗ୍ରାମରେ ‘ଗୁରୁଗ୍ରାମ ଟକିଜ’ ଓ ବାଙ୍ଗାଲୁରୁରେ ‘ଅଣ୍ଡର ଦି ଷ୍ଟାର୍ସ’ ମୁକ୍ତ ଆକାଶ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ ହୋଇଛି ।


 

ଅହମ୍ମଦାବାଦ ଓ ଚ଼େନ୍ନାଇଠାରେ ସ୍ଥାୟୀ ବ୍ୟବସ୍ଥା ବିକଶିତ ହୋଇଥିବା ସ୍ଥଳେ ଅନ୍ୟତ୍ର ସେହି ବ୍ୟବସ୍ଥା ସଂଭବ ହୋଇପାରି ନାହିଁ । ‘ଗୁରୁଗ୍ରାମ ଟକିଜ’ରେ ୪୦ ଗୋଟି କାର ପାର୍କିଂ ତଥା ୧୫୦ ଦର୍ଶକ ବସିବା ନିମନ୍ତେ ସୁବିଧା ରହିଛି । ପ୍ରତ୍ୟେହ ଦୁଇଗୋଟି ସୋ’ ଆୟୋଜନ କରାଯାଇ ଦର୍ଶକ ପିଛା ୪୦୦ ଟଙ୍କା ଆଦାୟ ହୋଇଥାଏ । ଅହମ୍ମଦାବାଦ ଓ ଚ଼େନ୍ନାଇଠାରେ ନୂଆ ଚଳଚ଼ିତ୍ର ପ୍ରଦର୍ଶନ କରାଯାଉଥିବା ସ୍ଥଳେ ଅନ୍ୟତ୍ର ପ୍ରାୟ ପୁରାତନ ଚଳଚ଼ିତ୍ର ପ୍ରଦର୍ଶନକୁ ଅଗ୍ରାଧିକାର ଦେଇଥାନ୍ତି ।


 

ମହାମାରୀ-ପର ପରିବର୍ତ୍ତିତ ପରିବେଶରେ ଚଳଚ଼ିତ୍ର ପ୍ରେକ୍ଷାଳୟ କ୍ରମଶଃ ଲୋକପ୍ରିୟତା ହରାଇବା କେତେକ ବିଶେଷଜ୍ଞ ପୂର୍ବାନୁମାନ କରୁଥିବା ସ୍ଥଳେ ମୁକ୍ତ ଆକାଶ ପ୍ରେକ୍ଷାଳୟ ତଥା ‘ଡ୍ରାଇଭ-ଇନ-ଥିଏଟର’ ସ୍ଥାପନ ପ୍ରତି ପିଭିଆର ସିନେମାସ, ଆଇନକ୍ସ ଲିଜର ଓ କାର୍ଣ୍ଣଭଲ ସିନେମାସ ପ୍ରମୁଖ ଏହିଭଳି ପ୍ରକଳ୍ପ ପ୍ରଯୋଜନାରେ ମନୋନିବେଶ କରୁଥିବା ଜଣାଯାଏ । ତେବେ ପିଭିଆରର ୮୪୫ ଗୋଟି ରୂପେଲି ପରଦା କାର୍ଯ୍ୟକ୍ଷମ ଥିବା ସ୍ଥଳେ ମାତ୍ର ଗୋଟିଏ ଡ଼ାଇଭ-ଇନ-ଥିଏଟର ନିମନ୍ତେ ପୂର୍ବପ୍ରସ୍ତୁତି ଆରମ୍ଭ ହୋଇଛି । ଅବଶ୍ୟ ମହାମାରୀର ପ୍ରଭାବ ନୂତନ ପ୍ରକଳ୍ପର ଭବିଷ୍ୟତ ରୂପରେଖ ଅଙ୍କନ କରିବ ।


 

ଓଡ଼ିଶା ପରିବେଶରେ ଖୋର୍ଦ୍ଧା-ଭୁବନେଶ୍ୱର, ପୁରୀ-ଭୁବନେଶ୍ୱର, ଭୁବନେଶ୍ୱର-କଟକ ଓ କଟକ-ଚୌଦ୍ୱାର ରାଜପଥ, ବ୍ରହ୍ମପୁର, ସମ୍ୱଲପୁର ଓ ରାଉରକେଲା ଭଳି ସହରାଞ୍ଚଳରେ ଡ୍ରାଇଭ-ଇନ-ଥିଏଟର ପରିକଳ୍ପନା ବିଚାର କରାଯାଇପାରେ ।        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ସେପ୍ଟେମ୍ୱର ୨୦୨୦


ତଥ୍ୟ:


 

Munjal, Dhrur. Open-air cinemas look to revival of past trend. Business Standard (Bhubaneswar Edition). September 2, 2020.


ଅନିଶ୍ଚିତତାରେ ପାଶ୍ଚାତ୍ୟ ଚଳଚ଼ିତ୍ର ପ୍ରେକ୍ଷାଳୟ

ବ୍ରିଟେନର ପ୍ରମୁଖ ଚଳଚ଼ିତ୍ର ପ୍ରେକ୍ଷାଳୟ ଶୃଙ୍ଖଳ ‘ଚ଼େନ’ ‘ସିନେ ୱାର୍ଲ୍ଡ’ ୨୦୨୦ ଅକ୍ଟୋବର ଦ୍ୱିତୀୟ ସପ୍ତାହରୁ ବ୍ରିଟେନ, ଆୟରଲ୍ୟାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଚଳଚ଼ିତ୍ର ପ୍ରଦର୍ଶନ ବନ୍ଦ କରିବା ନିଷ୍ପତ୍ତି ଗ୍ରହଣ କରିଥିଲା । ସେଥିମଧ୍ୟରେ ବ୍ରିଟେନର ୧୨୭ ଗୋଟି ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ୫୩୬ ଗୋଟି ପ୍ରେକ୍ଷାଳୟ ଅନ୍ତର୍ଭୁକ୍ତ । ପାଶ୍ଚାତ୍ୟ ଭୂଖଣ୍ଡରେ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ବ୍ୟବସାୟର ଭବିଷ୍ୟତ ଯେ ଅନିଶ୍ଚିତତା ମଧ୍ୟରେ ଗତି କରୁଛି ଏକଥା ‘ସିନେ ୱାର୍ଲ୍ଡ’ ଉଦାହରଣରୁ ସୁସ୍ପଷ୍ଟ ।


 

‘ସିନେ ୱାର୍ଲ୍ଡ’ ବିଶ୍ୱର ଦ୍ୱିତୀୟ ବୃହତ ଚଳଚ଼ିତ୍ର ପ୍ରେକ୍ଷାଳୟ ଚେନର ମାନ୍ୟତା ପାଇଥାଏ । ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ଚେକ ରିପବ୍ଳିକ, ସ୍ଳୋଭାସ୍କିଆ, ବୁଲଗେରିଆ ଓ ଇସ୍ରାଏଲ ସମେତ ୧୦ ଗୋଟି ରାଷ୍ଟ୍ରରେ ୭୯୦ ଗୋଟି ପ୍ରେକ୍ଷାଳୟରେ ୯,୫୧୮ ଗୋଟି ରୂପେଲୀ ପରଦାରେ ଚଳଚ଼ିତ୍ର ପ୍ରଦର୍ଶନ କରିଥାଏ । ବ୍ରିଟେନ ଓ ଆୟରଲ୍ୟାଣ୍ଡରେ ‘ସିନେ ୱାର୍ଲ୍ଡ’ ପୂର୍ବ ଓ ମଧ୍ୟ ୟୁରୋପରେ ‘ସିନେମା ସିଟି’, ଇସ୍ରାଏଲରେ ‘ୟେସ ପ୍ଳାନେଟ’ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ‘ରିଗାଲ’ ବ୍ରାଣ୍ଡରେ ଏହାର ବ୍ୟବସାୟ ପରିଚାଳିତ ।


 

ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବ୍ରିଟେନ, ଆୟରଲ୍ୟାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସିନେୱାର୍ଲ୍ଡର ଚଳଚିତ୍ର ପ୍ରେକ୍ଷାଳୟ ବନ୍ଦର ଦୁଇ ସପ୍ତାହ ପରେ ବ୍ରିଟେନରେ ମହାମାରୀଜନିତ ଦ୍ୱିତୀୟ ପର୍ଯ୍ୟାୟ ଲକଡ଼ାଉନରେ ସମସ୍ତ ମନୋରଞ୍ଜନ ପ୍ରେକ୍ଷାଳୟ ପୁଣି ମାସକ ପାଇଁ ବନ୍ଦ ହୋଇଗଲା । ଠିକ୍ ସେହିପରି ୟୁରୋପର ବିଭିନ୍ନ ରାଷ୍ଟ୍ରରେ ମଧ୍ୟ ଅକ୍ଟୋବର ତୃତୀୟ ସପ୍ତାହରେ ଜନପଦ ବନ୍ଦ ‘ଲକଡ଼ାଉନ’ରେ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ରହିଥିଲା ।


 

‘କୋଭିଡ଼-୧୯’ ବ୍ୟାପିବାପରେ ଲକଡ଼ାଉନ ହେତୁ ପ୍ରଥମ ପର୍ଯ୍ୟାୟରେ ୨୦୨୦ ମାର୍ଚ୍ଚ ମଧ୍ୟ ଭାଗରୁ ପାଶ୍ଚାତ୍ୟ ଭୂଖଣ୍ଡର ବ୍ରିଟେନ ସମେତ ବିଭିନ୍ନ ରାଷ୍ଟ୍ରରେ ଚଳଚ଼ିତ୍ର ପ୍ରେକ୍ଷାଳୟ ବନ୍ଦ ରଖାଯାଇ ମେ’, ଜୁନରେ ଖୋଲିଥିଲା । ତେବେ ସଂକ୍ରମଣ ଭୟରେ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକରେ ଆଶାଅନୁରୂପ ଦର୍ଶକ ହୋଇନଥିଲେ । ଫଳରେ ଚଳଚ଼ିତ୍ର ପ୍ରଦର୍ଶନ ବ୍ୟବସାୟରେ ମାନ୍ଦାବସ୍ଥା ଦେଖା ଦେଇଥିଲା ।


 

ଉଦାହରଣରେ ୨୦୨୦ ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ୨୦ କୋଟି ଡ଼ଲାରରେ ନିର୍ମିତ ଏକ ବିଗ ବଜେଟ ଚଳଚ଼ିତ୍ର ‘ଟେନେଟ’ ଯୁକ୍ତରାଷ୍ଟ୍ର ଆମେରିକାରେ ରିଲିଜ ହୋଇ ପ୍ରଥମ ମାସରେ ମାତ୍ର ୪ କୋଟି ଡ଼ଲାର ଆଦାୟ କରିଥିଲା । ‘ୱାର୍ନର ବ୍ରଦର୍ସ’ ପ୍ରଯୋଜିତ ଏହି ଚଳଚ଼ିତ୍ରଟିର ନିର୍ଦ୍ଦେଶକ ଖ୍ରୀଷ୍ଟଫର ନୋଲାନ । ଏଭଳି ବିଫଳତା ଚଳଚ଼ିତ୍ର ପ୍ରଯୋଜକମାନଙ୍କୁ ନୂଆ ଚଳଚ଼ିତ୍ର ରିଲିଜ କରାଇବାକୁ ହତୋତ୍ସାହ କରିଥିବା ସ୍ଥଳେ ପ୍ରେକ୍ଷାଳୟ ମାଲିକମାନଙ୍କୁ ମଧ୍ୟ ପ୍ରଦର୍ଶନ ଜାରୀ ରଖିବା ଦିଗରେ ଚ଼ିନ୍ତାରେ ପକାଇ ଦେଇଥିଲା ।


 

‘ସିନେ ୱାର୍ଲ୍ଡ’ ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ରଖାଯିବା କାରଣ ରୂପେ କର୍ତ୍ତୃପକ୍ଷ ନୂଆ ହଲିଉଡ଼ ଚଳଚ଼ିତ୍ର ରିଲିଜ ଅଭାବକୁ ଦାୟୀ କରିଛନ୍ତି । ମେଟ୍ରୋ-ଗୋଲ୍ଡୱିନ-ମେୟରଙ୍କ ସଦ୍ୟତମ ଜେମସବଣ୍ଡ ଚଳଚ଼ିତ୍ର ‘ନୋ ଟାଇମ ଟୁ ଡ଼ାଇ’ ୨୦୨୦ ଏପ୍ରିଲରେ ରିଲିଜ ହେବା କାର୍ଯ୍ୟକ୍ରମ ରହିଥିଲା । ମହାମାରୀ ହେତୁ ନଭେମ୍ୱରକୁ ରିଲିଜ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଅକ୍ଟୋବର ଆରମ୍ଭରେ ରିଲିଜ ସମୟ ପୁଣି ଏପ୍ରିଲ ୨୦୨୧କୁ ପରବର୍ତ୍ତିତ ହୋଇଥିଲା ।


 

ସେହିପରି ଏଟିଏଣ୍ଡଟି-ୱାର୍ନର ବ୍ରଦର୍ସଙ୍କ ‘ଦି ବେଟମେନ’ ଓ ‘ଡ୍ୟୁନୋ’ର ରିଲିଜ ମଧ୍ୟ ଗଡ଼ାଇ ଦିଆ ଚାଲିଥିଲା । ରବର୍ଟ ପିଟରସନ ଅଭିନୀତ ‘ଦି ବେଟମେନ’ ୨୦୨୧ ଅକ୍ଟୋବରରେ ରିଲିଜ ହେବା ନିର୍ଦ୍ଧାରିତ ହୋଇଥିଲା । ଏହାକୁ ୨୦୨୨ ମାର୍ଚ୍ଚ – ଏପ୍ରିଲକୁ ଘୁଞ୍ଚାଇ ଦିଆଯାଇଥିଲା । କାନାଡ଼ାର ପ୍ରସିଦ୍ଧ ନିର୍ଦ୍ଦେଶକ ଓଡ଼ନିସ ଭିଲେନ୍ୟୁଭଙ୍କ ସାଇନ୍ସ-ଫିକସନ ‘ଡ୍ୟୁନୋ’ ୨୦୧୧ ଅକ୍ଟୋବରରେ ରିଲିଜ ହେବା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ୱାର୍ନର ବ୍ରଦର୍ସର ‘ୱାଣ୍ଡର ଉମେନ ୧୮୪’ ଡ଼ିସେମ୍ୱର ବଡ଼ଦିନ ଅବସରରେ ରିଲିଜ ହେବ ବୋଲି କୁହାଯାଇଥିଲା ।


 

ହଲିଉଡ଼ ଚଳଚ଼ିତ୍ର ପ୍ରଯୋଜକମାନେ ମହାମାରୀ-ପର ପରିସ୍ଥିତି ନେଇ ବିବ୍ରତ ଥିବା ସୁସ୍ପଷ୍ଟ । ଲକଡ଼ାଉନ ପରେ ପ୍ରେକ୍ଷାଳୟ ଖୋଲାଗଲେ ଚଳଚ଼ିତ୍ର ଅନୁରାଗୀ ଦର୍ଶକ ପୁଣି ଫେରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ୟୁରୋପ, ବ୍ରିଟେନ ଓ ଆମେରିକାରେ ପ୍ରଥମ ତରଙ୍ଗ ଭୂତାଣୁ ସଂକ୍ରମଣ ଜନିତ ଲକଡ଼ାଉନ ପରେ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ ହେବାପରେ ତାହା ସମ୍ଭବ ହେଲା ନାହିଁ । ଆପାତତଃ ବର୍ତ୍ତମାନ ମହାମାରୀର ପ୍ରକୋପ ସଂପୂର୍ଣ୍ଣ ହ୍ରାସ ଯାଏଁ ଅପେକ୍ଷା କରାଗଲା ।


 

ମହାମାରୀ ପୂର୍ବରୁ ଡ଼ିଜିଟାଲ ମଞ୍ଚର ବ୍ୟାପ୍ତି ଏବଂ ମହାମାରୀ ଅବସରରେ ଉପଭୋକ୍ତାଙ୍କ ପରିବର୍ତ୍ତିତ ଅଭ୍ୟାସ ପାରମ୍ପରିକ ପ୍ରେକ୍ଷାଳୟରେ ଚଳଚ଼ିତ୍ର ଉପଭୋଗ ଧାରାକୁ ଗଭୀର ପ୍ରଭାବିତ କରିଥିବା ବିଶ୍ୱାସ ଜନ୍ମିଥାଏ । ରୁପେଲୀ ପରଦାର ମାଦକତା ମୋବାଇଲ ଫୋନ ପର୍ଦ୍ଦାରେ କେବେହେଁ ସଂଭବପର ନୁହଁ ବୋଲି ବିଚାର କରାଯାଉଥିଲା । କିନ୍ତୁ ଓଭର-ଦି-ଟପ ଡିଜିଟାଲ ମଞ୍ଚ ଦର୍ଶକଙ୍କ ଚଳଚିତ୍ର ଉପଭୋଗ ଅଭ୍ୟାସକୁ ବଦଳାଇ ଦେଇଥିବା ପରିଲକ୍ଷିତ । ମୋବାଇଲ ଫୋନ ପରଦାରେ ଉପଭୋକ୍ତାମାନେ ଦୈନିକ ଦୁଇରୁ ଛଅଘଣ୍ଟା ଯାଏଁ ଉପସ୍ଥିତ ରହିବା ତଥ୍ୟ ସର୍ବାପେକ୍ଷା ବଳିଷ୍ଠ ପ୍ରମାଣ ।


 

ହଲିଉଡ଼ ଚଳଚ଼ିତ୍ର ପ୍ରଯୋଜକମାନେ ନବନିର୍ମିତ ଚଳଚ଼ିତ୍ରଗୁଡ଼ିକୁ ଡ଼ିଜିଟାଲ ମଞ୍ଚରେ ଷ୍ଟ୍ରୀମିଂ କରିବା ବିକଳ୍ପ ସୃଷ୍ଟି ହୋଇଥିବା ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟବସାୟ ପ୍ରତି ଅନ୍ୟତମ ବିପଦ ସୃଷ୍ଟି କରିଛି  । ‘ଡିସନି’ ପ୍ରଯୋଜିତ ‘ମୁଲାନ’ ଷ୍ଟ୍ରୀମିଂ ସର୍ଭିସରେ ରିଲିଜ ହେବା ଏହି ଆଶଙ୍କାର ଏକ ଉଦାହରଣ ।


 

‘ସିନେ ୱାର୍ଲ୍ଡ’ର ପ୍ରେକ୍ଷାଳୟ ବନ୍ଦ ନିଷ୍ପତ୍ତି ଭାରତର ବଲିଉଡ଼ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହାର ପ୍ରେକ୍ଷାଳୟଗୁଡ଼ିକରେ ବାର୍ଷିକ ପ୍ରାୟ ୪୦ ରୁ ୫୦ ବଲିଉଡ଼ ଚଳଚିତ୍ର ପ୍ରଦର୍ଶିତ ହୋଇଥାଏ । ‘ସିନେ ୱାର୍ଲ୍ଡ’ର ସମଗ୍ର ଚଳଚିତ୍ର ତାଲିକାରେ ବଲିଉଡ଼ ୨୦ ପ୍ରତିଶତ ସ୍ଥାନ ଅଧିକାର କରୁଥିବା ଜଣାଯାଏ । ଅତୀତରେ ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ବଲିଉଡ଼ ଚଳଚ଼ିତ୍ର ପ୍ରଦର୍ଶିତ ହେଉନଥିଲା । ବିଗତ ଶତାଦ୍ଦୀ ନବମ ଦଶକରେ ମଲ୍ଟିପ୍ଳେକ୍ସ ଧାରା ଆରମ୍ଭ ହେବା ପରେ ‘ସିନେ ୱାର୍ଲ୍ଡ’ ବଲିଉଡ଼ ଚଳଚିତ୍ର ପ୍ରଦର୍ଶନ ଆରମ୍ଭ କରିଥିଲା । ମହାମାରୀ-ପୂର୍ବ ଅବସ୍ଥାରେ ବଡ଼ ବଜେଟ ବଲିଉଡ଼ ଚଳଚ଼ିତ୍ରର ପ୍ରାୟ ୪୦ ପ୍ରତିଶତ ଯାଏଁ ଆୟ ବୈଦେଶିକ ବଜାର ଉପରେ ନିର୍ଭରଶୀଳ ରହିଥିଲା ।


 

ପାଶ୍ଚାତ୍ୟ ଭୂଖଣ୍ଡରେ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକର ମହାମାରୀ-ପର ଅନୁଭୂତି ଭାରତୀୟ ଚଳଚିତ୍ର ପ୍ରେକ୍ଷାଳୟ ବ୍ୟବସାୟକୁ ପ୍ରଭାବିତ କରିବା ନିଶ୍ଚିତ । ବଲିଉଡ଼ ଚଳଚିତ୍ର ପ୍ରଯୋଜକମାନେ ପ୍ରେକ୍ଷାଳୟ ପ୍ରଦର୍ଶନରୁ ୪୦ ପ୍ରତିଶତ ଆୟ ହିସାବ କରିଥାନ୍ତି । ପ୍ରେକ୍ଷାଳୟରେ କେତେ ସଂଖ୍ୟକ ଦର୍ଶକ ପହଞ୍ଚୁଛନ୍ତି ଏବଂ ଟିକଟର ମୂଲ୍ୟ କେତେ ଅଛି ତାହା ଉପରେ ଆୟ ନିର୍ଭରଶୀଳ । ମହାମାରୀର ପ୍ରକୋପ ଅସ୍ଥାୟୀ କିନ୍ତୁ ମହାମାରୀ-ପର ପରିବେଶ ଦୀର୍ଘ ସ୍ଥାୟୀ । ମହାମାରୀ-ପର ଅବସ୍ଥାରେ ଦୀର୍ଘକାଳଧରି ଯଦି ଦର୍ଶକମାନେ ପ୍ରେକ୍ଷାଳୟରୁ ଦୂରେଇ ରହିବାକୁ ନିରାପଦ ମନେ କରିବେ ତେବେ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟବସାୟ ଭୁଷୁଡ଼ି ପଡ଼ିବା ସ୍ୱାଭାବିକ ।


 

ଭାରତରେ ଅନଲକ-୬ରେ ଅକ୍ଟୋବର ତୃତୀୟ ସପ୍ତାହରୁ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଥିଲା । ତେବେ ଓଡ଼ିଶା ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ ଓ ରାଜସ୍ଥାନ ପ୍ରଭୃତି ରାଜ୍ୟରେ ବାରଣ ବଳବତ୍ତର ରହିଥିଲା । ଦେଶରେ ପ୍ରାୟ ୯,୬୦୦ ରୂପେଲୀ ପରଦା ମଧ୍ୟରୁ ୭୦ ପ୍ରତିଶତ ଏକକ ପରଦା ଓ ୩୦ ପ୍ରତିଶତ ମଲ୍ଟିପ୍ଳେକ୍ସ । ଯେଉଁ ପ୍ରେକ୍ଷାଳୟଗୁଡ଼ିକରେ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିଲା ପ୍ରଥମ ଦୁଇ ସପ୍ତାହରେ ଉତ୍ସାହଜନକ ବକ୍ସ ଅଫିସ ଆୟ ହୋଇପାରିନଥିଲା । ଏଥି ଯୋଗୁଁ ବଲିଉଡ଼ ତଥା ଆଞ୍ଚଳିକ ନୂଆ ଚଳଚ଼ିତ୍ର ରିଲିଜ ମଧ୍ୟ ସଂଭବପର ହୋଇପାରି ନଥିଲା ।         


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ନଭେମ୍ୱର ୨୦୨୦


ତଥ୍ୟ:


 

Seal, Thomas & Mark Burton. Cineworld to close US, UK screens after Bond movie delay. Business Standard (Bhubaneswar Edition). October 5, 2020.


 

Waheed Alia. The Cineworld effect : UK  cinema closures deliver body blow to Bollywood. www.theguardian.com. October 8, 2020


<https://www.theguardian.com/film/2020/oct/08/uk-cinema-closures-bollywood-cineworld>


 

Pinto, Viveat Susan & Surajeet Das Gupta. Set for muted opening, theaters eye Diwail fireworks. Business Standard  (Bhubaneswar Edition). October 14, 2020. 

ପିଭିଆର-ଆଇନୋକ୍ସ ମିଶ୍ରଣ

ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ମହାମାରୀ-ପର ଅବସ୍ଥାରେ ଦୁଇ ଟେଲିଭିଜନ ଚ୍ୟାନେଲ ଜୀ-ସୋନୀ ମିଶ୍ରଣ ପରେ ଚଳଚ଼ିତ୍ର ପ୍ରଦର୍ଶନ କ୍ଷେତ୍ରରେ ଦୁଇ ବୃହତ ପ୍ରେକ୍ଷାଳୟ ଶୃଙ୍ଖଳ 'ଥିଏଟର ଚ଼େନ' ପିଭିଆର ଓ ଆଇନକ୍ସ ମିଶ୍ରଣ ନିମନ୍ତେ ୨୦୨୨ ମାର୍ଚ୍ଚ ଶେଷ ସପ୍ତାହରେ ଘୋଷଣା କରିଥିଲେ । ମହାମାରୀଜନିତ ବିଘଟନ ମୁକାବିଲାରେ ଏହା ଏକ ବଳିଷ୍ଠ ପଦକ୍ଷେପ । ମହାମାରୀ-ପର ଗଣମାଧ୍ୟମ ଶିଳ୍ପରେ ସମ୍ଭାବ୍ୟ ପରିବର୍ତ୍ତନ ଧାରାରେ ବିଶେଷଜ୍ଞମାନେ ଏହି ମିଶ୍ରଣକୁ ସୂଚ଼କାଙ୍କଭାବେ ଗ୍ରହଣ କରିଥିଲେ ।

 

ମହାମାରୀରେ ସଂକ୍ରମଣ ଭୟରେ ଉଭୟ ପ୍ରଶାସନିକ କଟକଣା ଓ ଜନସାଧାରଣଙ୍କ ପରିବର୍ତ୍ତିତ ଆଚ଼ରଣ ହେତୁ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ଯେ ଦୀର୍ଘକାଳ ବନ୍ଦ ରହିଲା ତାହା ନୁହ, ଖୋଲିବାପରେ ମଧ୍ୟ ଆଶାନୁରୂପ ବ୍ୟବସାୟର ବିଶ୍ୱାସ ଜନ୍ମାଇ ପାରିଲା ନାହିଁ । ପାଶ୍ଚାତ୍ୟ ଭୂଖଣ୍ଡରେ ବ୍ରିଟେନର ‘ସିନେ ୱାର୍ଲ୍ଡ’ ଭଳି ୧୦,୦୦୦ ରୂପେଲି ପରଦା ବିଶିଷ୍ଟ ଥଏଟର ଚ଼େନରୁ ୭୦୦ ସ୍କ୍ରୀନ ଅକ୍ଟୋବର ୨୦୨୦ରୁ ସବୁଦିନ ଲାଗି ବନ୍ଦ ହୋଇଯାଇଥିବା ଉଦାହରଣ ଦେଖିବାକୁ ମିଳିଥିଲା । ଆମ ଭାରତ ଓ ଓଡ଼ିଶାରେ ଏକକ ରୂପେଲି ପରଦା ବିଶିଷ୍ଟ ଛୋଟ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ମହାମାରୀ-ପର ଦୁଇବର୍ଷ ଶେଷ ସୁଦ୍ଧା ପୁଣି ପ୍ରଦର୍ଶନ ଆରମ୍ଭ କରିବାକୁ କୁଣ୍ଠାବୋଧରେ ଅଟକି ରହିଥିଲେ । ଫଳତଃ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନ ଶିଳ୍ପ ଅନ୍ୟାନ୍ୟ ବ୍ୟବସାୟ ତୁଳନାରେ ସର୍ବାପେକ୍ଷା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଏ ।

 

ବିଶେଷଜ୍ଞମାନଙ୍କ ବିଚାରରେ ଗଣମାଧ୍ୟମର ବିଭିନ୍ନ ମଞ୍ଚରେ ଅବକ୍ଷୟର ଧାରା ମୋଟାମୋଟି ଭାବେ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରୁ ଆରମ୍ଭ ହୋଇଥିଲା ଏବଂ ଦଶ ବର୍ଷଧରି କ୍ରମାଗତ ଜାରି ରହିବା ଫଳରେ ମହାମାରୀର ଠିକ ପୂର୍ବାବସ୍ଥାରେ ପ୍ରାୟତଃ ସ୍ଥାଣୁ ଅବସ୍ଥାକୁ ଆସି ଯାଇଥିଲା । ମହାମାରୀର ଦୁଇ ବର୍ଷ ବ୍ୟାପୀ ପ୍ରଭାବପରେ ପରିସ୍ଥିତି ଅଣାୟତ୍ତସ୍ତରରେ ପହଞ୍ଚିଲା । ଅଧିକାଂଶ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପଦ୍ୟୋଗୀ ବାସ୍ତବ ପରିସ୍ଥିତିକୁ ପ୍ରାଥମିକ ପର୍ଯ୍ୟାୟରେ ଅସ୍ୱୀକାର କରି ଦ୍ୱିତୀୟ ପର୍ଯ୍ୟାୟରେ ଦୁରାବସ୍ଥାର ପ୍ରଭାବକୁ ପ୍ରଶ୍ନକରି ରୋଷ ପ୍ରକାଶସ୍ତରରେ ଅଟକିଥିବା ସ୍ଥଳେ ବୃହତ ଶିଳ୍ପଦ୍ୟୋଗୀମାନେ ପରିସ୍ଥିତିର ମୁକାବିଲା ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ଉଚ଼ିତ ମନେ କରୁଥିବା ଦେଖିବାକୁ ମିଳିଥିଲା ।

 

ପିଭିଆର ଓ ଆଇନକ୍ସର ମିଶ୍ରଣ ପ୍ରସ୍ତାବ ଘୋଷଣାପରେ ଗଣମାଧ୍ୟମକୁ ପିଭିଆରର ଅଧ୍ୟକ୍ଷ ଅଜୟ ବିଜଲି ଓ ଆଇନକ୍ସର ଅଧ୍ୟକ୍ଷ ସିଦ୍ଧାର୍ଥ ଜୈନଙ୍କ ବକ୍ତବ୍ୟ ଅନୁଶୀଳନ କଲେ ଯେଉଁ କେତେଗୋଟି ଉପସ୍ଥାପିତ ଯୁକ୍ତି ଚର୍ଚ୍ଚାକୁ ଆସିଥାଏ ସେଥିମଧ୍ୟରେ ମିଶ୍ରଣ ଫଳରେ ବ୍ୟାବସାୟିକ ଖର୍ଚ୍ଚକାଟ ପ୍ରଥମ । ଦେଶର ଦୁଇ ବଡ଼ ମଲଟିପ୍ଳେକ୍ସ ଚ଼େନ ମିଶ୍ରଣ ହେଲେ ପରିଚାଳନାଗତ ଖର୍ଚ୍ଚ କମିଯିବ ।

 

ଦ୍ୱିତୀୟତଃ, ପିଭିଆର ୭୩ଗୋଟି ସହରରେ ୧୮୧ଗୋଟି ପ୍ରେକ୍ଷାଳୟରେ ୮୭୧ଗୋଟି ରୂପେଲି ପରଦା ସହ ଆଇନକ୍ସର ୭୨ଗୋଟି ସହରରେ ୧୬୦ଗୋଟି ପ୍ରେକ୍ଷାଳୟରେ ୬୭୫ଗୋଟି ରୂପେଲି ପରଦା ଗୋଟିଏ ପରିଚାଳନାରେ ଏକତ୍ରୀତ ହେଲେ ପ୍ରାୟ ପନ୍ଦର ଶହ ପଚାଶ ରୂପେଲି ପରଦା ଦେଶର ସର୍ବବୃହତ ଚଳଚ଼ିତ୍ର ପ୍ରଦର୍ଶନକାରୀ ସଂସ୍ଥାର ମାନ୍ୟତା ପାଇବ । ଜାତୀୟସ୍ତରରେ ବହୁ ପରଦା ବିଶିଷ୍ଟ ପ୍ରେକ୍ଷାଳୟ ‘ମଲଟିପ୍ଳେକ୍ସ’ ବର୍ଗରେ ପ୍ରାୟ ଅର୍ଦ୍ଧେକ ସ୍ଥାନ ଅଧିକାର କରି ବକ୍ସ ଅଫିସ ଆୟ ଦେଶର ହିନ୍ଦି ଓ ଇଂଲିଶ ଚଳଚ଼ିତ୍ର ପ୍ରଦର୍ଶନ କ୍ଷେତ୍ରରେ ୪୨ ପ୍ରତିଶତ ଦାବୀ କରିବ । ଏହି ପରିବେଶ ଚଳଚ଼ିତ୍ର ପ୍ରଦର୍ଶନ କ୍ଷେତ୍ରରେ ଦୀର୍ଘକାଳୀନ ଅଭିବୃଦ୍ଧିରେ ସହାୟକ ହେବା ଆଶା କରାଯାଇପାରେ ।

 

ତୃତୀୟତଃ, ମହାମାରୀ ପୂର୍ବାବସ୍ଥାରୁ ଓଟିଟି ଷ୍ଟ୍ରୀମିଂ ପ୍ଳାଟଫରମର ବିକାଶ, ମହାମାରୀ କାଳରେ ଲୋକପ୍ରିୟତା ବୃଦ୍ଧି ଓ ମହାମାରୀ-ପର ଅବସ୍ଥାରେ କେତେକ ବୃହତ ଚଳଚ଼ିତ୍ର ଓଟିଟି ମଞ୍ଚରେ ମୁକ୍ତିଲାଭ କରି ପ୍ରଦର୍ଶନରେ ଭଲ ଆୟ କରିଥିବା ଅଭିଜ୍ଞତା ପ୍ରେକ୍ଷାଳୟ ବ୍ୟବସାୟକୁ ଗୁଣାତ୍ମକ ବିକାଶ ନିମନ୍ତେ ବାଧ୍ୟ କରିଛି । ପିଭିଆର-ଆଇନକ୍ସ ମିଶ୍ରଣ ପରେ ପ୍ରେକ୍ଷାଳୟ ଦର୍ଶକଙ୍କୁ ବିଶ୍ୱସ୍ତରୀୟ ଅନୁଭବ ‘ୱର୍ଲଡ଼ କ୍ଳାସ ସିନେମା ଏକ୍ସପିରିଏନ୍ସ’ ଯୋଗାଇବା ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିବା, ମୁଖ୍ୟତଃ ଦ୍ୱିତୀୟ ଓ ତୃତୀୟ ବର୍ଗ ସହରଗୁଡ଼ିକରେ ପ୍ରେକ୍ଷାଳୟରେ ଚଳଚ଼ିତ୍ର ଉପଭୋଗକୁ ଅଧିକ ଆମୋଦଦାୟକ ଓ ଆକର୍ଷଣୀୟ ଗଢ଼ିତୋଳିବାକୁ ଉଦ୍ୟମ ସଂଭବ ହୋଇପାରିବ ।

 

ଚ଼ତୁର୍ଥତଃ, ଭାରତରେ ନୂଆ ଚଳଚ଼ିତ୍ର ପ୍ରେକ୍ଷାଳୟ ନିର୍ମାଣଧାରା ଅବ୍ୟାହତ ରହିଛି । ପଡ଼ୋଶୀ ଚ଼ୀନରେ ପ୍ରାୟ ସତୁରି ହଜାର ରୂପେଲି ପରଦାରେ ଚଳଚ଼ିତ୍ର ପ୍ରଦର୍ଶିତ ହେଉଥିବା ସ୍ଥଳେ ଭାରତରେ ମାତ୍ର ୯,୫୦୦ ହିସାବ କରାଯାଏ । ଚ଼ୀନରେ ପ୍ରତିବର୍ଷ ଛଅରୁ ସାତ ହଜାର ନୂଆ ରୂପେଲି ପରଦା ଯୋଗ ହେଉଥିବା ସ୍ଥଳେ ଭାରତରେ ୪୦୦ରେ ସୀମିତ ରହିଛି । ପିଭିଆର ଓ ଆଇନକ୍ସ ପୃଥକ ପୃଥକଭାବେ ବାର୍ଷିକ ୬୦ ଓ ୮୦ ନୂଆ ରୂପେଲି ପରଦା ନିଜ ଥଏଟର ଚ଼େନରେ ଯୋଗ କରୁଥିବା ବେଳେ ମିଶ୍ରଣପରେ ଦୁଇ ଶହକୁ ଉନ୍ନୀତ କରିବାପାଇଁ ଲକ୍ଷ୍ୟ ରଖିଛନ୍ତି । ଫଳରେ ବ୍ୟାବସାୟିକ ଅଭିବୃଦ୍ଧି ପାଇଁ ଭିତ୍ତିଭୂମି ସୃଷ୍ଟି ହୋଇପାରିବ ।

 

ପଞ୍ଚମତଃ, ମଲଟିପ୍ଳେକ୍ସଗୁଡ଼ିକର ଭୌଗଳିକସ୍ଥିତିରେ ପିଭିଆର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଭାରତରେ ପ୍ରଭାବ ବିସ୍ତାର କରିଥିବା ସ୍ଥଳେ ଆଇନକ୍ସ ପୂର୍ବ ଭାରତରେ ସ୍ଥିତି ସୁଦୃଢ଼ । ଦୁଇ ଥଏଟର ଚ଼େନର ମିଶ୍ରଣ ଫଳରେ ସମଗ୍ର ଭାରତରେ ଚଳଚ଼ିତ୍ର ପ୍ରଦର୍ଶନ ବ୍ୟବସାୟ ହାତକୁ ଅସିଯିବ ଏବଂ ବିଭିନ୍ନ ବ୍ୟାବସାୟିକ ମୂଲଚାଲ ‘ବିଜିନେସ ନେଗୋସିଏସନ’ ଲାଗି କ୍ଷମତା ବୃଦ୍ଧି ପାଇବ । ଷଷ୍ଠରେ ବ୍ୟାବସାୟିକ ଅଭିବୃଦ୍ଧି ଲାଗି ଟାଏର-୨ ଓ ଟାଏର-୩ ସହରଗୁଡ଼ିକରେ ପହଞ୍ଚିବା ତଥା ଦୀର୍ଘକାଳୀନ ଲକ୍ଷ୍ୟ ସାଧନଲାଗି ଯୋଜନା ପ୍ରଣୟନ କରିବା ନିମନ୍ତେ ଭିତ୍ତିଭୂମି, ମାନବ ସମ୍ୱଳ ଓ ଆର୍ଥିକ ନିବେଶ ନିମନ୍ତେ ମିଶ୍ରଣ ସହାୟକ ହେବ । ସପ୍ତମରେ ଡିଜିଟାଲ ମିଡ଼ିଆ ମୁଖ୍ୟତଃ ଓଟିଟି ମଞ୍ଚ ଭାରତୀୟ ଚଳଚ଼ିତ୍ର ପ୍ରଦର୍ଶନ ଶିଳ୍ପ ବିକାଶ ନିମନ୍ତେ ଶକ୍ତିଶାଳୀ ପ୍ରତିବନ୍ଧକରୂପେ ଗଢ଼ି ଉଠୁଥିବା ତଥା ଦର୍ଶକଙ୍କ ରୁଚ଼ି ବଦଳୁଥିବା ଅବସରରେ ସମ୍ମିଳିତ ପ୍ରଚ଼େଷ୍ଟା ଆବଶ୍ୟକ ।

 

ପିଭିଆର-ଆଇନକ୍ସ ମିଶ୍ରଣ ନିମନ୍ତେ ଛଅରୁ ନଅମାସର ପ୍ରସ୍ତୁତି ଆବଶ୍ୟକ ଥିବା କୁହାଯାଇଥିଲା । ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ନିମନ୍ତେ ସେୟାର ହୋଲଡ଼ର, ଷ୍ଟକ ଏକ୍ସଚ଼େଞ୍ଜ, ସିକ୍ୟୁରିଟିସ ଏଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ଓ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ଭଳି ସଂସ୍ଥାର ଅନୁମୋଦନ ଲୋଡ଼ା । ପ୍ରସ୍ତାବିତ ରାଜିନାମା ଅନୁଯାୟୀ ପିଭିଆର କମ୍ପାନୀରେ ନିବେଶକଙ୍କ ତିନିଗୋଟି ଅଂଶଧନ ‘ସେୟାର’ ଆଇନକ୍ସର ଦଶ ଗୋଟି ‘ସେୟାର’ ସହ ସମତୁଲ ହେବ । ପିଭିଆର ପ୍ରାୟୋଜକଙ୍କ ୧୦.୬୨ ଏବଂ ଆଇନକ୍ସ ପ୍ରାୟୋଜକଙ୍କ ୧୬.୬୨ ଅଂଶଧନ ପିଭିଆର-ଆଇନକ୍ସ ନିବେଶରେ ଗଣିତ ହେବ । ଦୁଇ ପ୍ରଯୋଜକ ପରିବାରରୁ ଦୁଇଜଣ ଲେଖା ବୋର୍ଡ ମେମ୍ୱର ସହ ମୋଟ ୧୦ ଜଣିଆ ବୋର୍ଡ ନୂତନ କମ୍ପାନୀ ପରିଚାଳନା କରିବେ । ଦୁଇ କମ୍ପାନୀର ଅଧ୍ୟକ୍ଷ ଅଜୟ ବିଜାନି ଓ ସଞ୍ଜୀବ କୁମାର ପରିଚାଳନାରେ ସାମିଲ ହେବେ ।

 

ପାଶ୍ଚାତ୍ୟ ଭୂଖଣ୍ଡ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ୟୁରୋପୀୟ ରାଷ୍ଟ୍ରପୁଞ୍ଜରେ ଚଳଚ଼ିତ୍ର ପ୍ରଦର୍ଶନ ବ୍ୟବସାୟ ବନ୍ଦ ହୋଇ ଆସୁଥିବା ସ୍ଥଳେ ଚ଼ୀନରେ ପ୍ରେକ୍ଷାଳୟ ସଂଖ୍ୟା ବୃଦ୍ଧିର ଉଦାହରଣ ଭାରତରେ ବିଶେଷଜ୍ଞଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଥାଏ । କେତେକଙ୍କ ମତରେ ମଲଟିପ୍ଳେକ୍ସ ସଂସ୍କୃତି କେବଳ ଚଳଚ଼ିତ୍ର ପ୍ରଦର୍ଶନରେ ସୀମିତ ନରହି ବହୁମୁଖୀ ମନୋରଞ୍ଜନ ବିପ୍ପଣୀ ଭାବେ ଗଢ଼ି ଉଠୁଥିବା ହେତୁ ବ୍ୟାବସାୟିକ ସଫଳତା ଆଶା କରାଯାଇପାରେ । ତେବେ ମଲଟିପ୍ଳେକ୍ସର ଭିଡ଼ରେ ଏକକ ରୂପେଲି ପରଦା ବିଶିଷ୍ଟ ‘ସିଙ୍ଗଲ ସ୍କ୍ରିନ’ ପ୍ରେକ୍ଷାଳୟ ଯେ ପ୍ରତିଯୋଗିତାରେ ପଛରେ ପଡ଼ିଯିବ ଏଥିରେ ସନ୍ଦେହ ନାହିଁ ।          


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଏପ୍ରିଲ ୨୦୨


ତଥ୍ୟ:


 

D’ Souza, Sharieen. PVR, InoxLeisure book ticket to a JV. Business Standard  (Bhubaneswar Edition). March 28, 2022.

ମୁମ୍ୱାଇ ଫିଲ୍ମ ଫେଷ୍ଟିଭାଲ

ସୃଜନ ବିକାଶ ଅନେକାଂଶରେ ଅନୁକରଣରେ ପର୍ଯ୍ୟବେସିତ । ସୃଜନରେ କଳାକୌଶଳ ଉପଯୋଗ ପାରିପାର୍ଶ୍ୱିକ ପରିବେଶରୁ ଆହରଣ କରାଯାଇଥାଏ । ଉଦାହରଣ ସ୍ୱରୂପ ସାହିତ୍ୟ ସୃଷ୍ଟିରେ ଭାଷାଜ୍ଞାନ ଓ ବ୍ୟାକରଣରେ ଦକ୍ଷତା ଅପରିହାର୍ଯ୍ୟ । ଏଥିଲାଗି ଉପଲବ୍ଧ ରଚ଼ନା ଅଧ୍ୟୟନ ହିଁ ଏକମାତ୍ର ଉନ୍ମୁକ୍ତ ପଥ । ଏହିପରି ତତ୍ତ୍ୱ ଊଣାଅଧିକେ ସମସ୍ତ ସର୍ଜନଶୀଳ ପ୍ରକ୍ରିୟାରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।


 

ଚଳଚ଼ିତ୍ର ବିଂଶ ଶତାଦ୍ଦୀରେ ବିକଶିତ ଏକ ପ୍ରଭାବଶାଳୀ ସମ୍ମିଳିତ କଳା । ଏହା ନାଟକ, ସଂଗୀତଠାରୁ ଆରମ୍ଭ କରି ଫୋଟୋଗ୍ରାଫି, ଆର୍ଟିଫିସିଆଲ ଇଣ୍ଟଲିଜେନସ ପର୍ଯ୍ୟନ୍ତ ବହୁବିଧ ଉପାଦାନର ସମାହାର । ଚଳଚ଼ିତ୍ର ନିର୍ମାଣରେ ଅନୁକରଣ ପ୍ରଭାବଶାଳୀ ଭୂମିକା ନିର୍ବାହ କରିଥାଏ ।


 

ଚଳଚ଼ିତ୍ର ବିଭିନ୍ନ ଭୌଗଳିକ ପ୍ରାନ୍ତରେ ପ୍ରଯୋଜିତ ହେଉଥିବା ଅବସରରେ ଭିନ୍ନଭିନ୍ନ ସାଂସ୍କୃତିକଧାରାର ମୌଳିକତା ଏଥିରେ ପ୍ରସ୍ପୁଟିତ ହେବା ସ୍ୱଭାବିକ । ଏହିଭଳି ବିବିଧତା ଅନୁଧ୍ୟାନ ସୃଜନ ବିକାଶକୁ ଋଦ୍ଧିମନ୍ତ କରିଥାଏ । ବିଭିନ୍ନ ରାଷ୍ଟ୍ରର ଚଳଚ଼ିତ୍ର ଉପଭୋଗ କରିବା ନିମନ୍ତେ ଆନ୍ତର୍ଜାତିକ ଚଳଚ଼ିତ୍ର ଉତ୍ସବମାନ ପ୍ରକୃଷ୍ଟ ପରିବେଶ ।


 

ଓଡ଼ିଶାରେ ଚଳଚ଼ିତ୍ରର ଉନ୍ମେଷ ଗତ ଶତାଦ୍ଦୀର ଚ଼ତୁର୍ଥ ଦଶକରେ ସଂଘଟିତ ହୋଇଥିଲେ ହେଁ ଅଷ୍ଟମ ଦଶକରେ ଟେଲିଭିଜନର ବିକାଶ ପରିପ୍ରେକ୍ଷୀରେ ଚଳଚ଼ିତ୍ର ନିର୍ମାଣ କଳାକୌଶଳର ପ୍ରସାର ଘଟିଥିଲା । ଭିଡ଼ିଓ ଓ କେବଲ ଟେଲିଭିଜନର ଲୋକପ୍ରିୟତା ପରେ ବର୍ତ୍ତମାନ ଇଣ୍ଟରନେଟର ବ୍ୟାପ୍ତି ତଥା ମୋବାଇଲ ଫୋନରେ ଭିଡିଓ ଫୋଟୋଗ୍ରାଫି ଉତ୍ତୋଳନ କ୍ଷମତା ଓ ସୋସିଆଲ ମିଡିଆରେ ପ୍ରଦର୍ଶନର ସୁଯୋଗ ଏକ ନୂତନ ସମୀକରଣ ସୃଷ୍ଟି କରିଛି ।


 

ସାମ୍ୱାଦିକତା ମୋବାଇଲ ପରଦାକୁ ସ୍ଥାନାନ୍ତରିତ ହେଉଥିବା ପରିପ୍ରେକ୍ଷୀରେ ଚଳଚ଼ିତ୍ର ନିର୍ମାଣର କଳାକୌଶଳରେ ଦକ୍ଷତା କ୍ରମଶଃ ସାଧାରଣ ସାମ୍ୱାଦିକଙ୍କ ନିମନ୍ତେ ଅପରିହାର୍ଯ୍ୟ ପ୍ରମାଣିତ ହେଲାଣି । ଏହି ପରିପ୍ରେକ୍ଷୀରେ ଚଳଚ଼ିତ୍ର ନିର୍ମାଣ ଏକ ସ୍ୱତନ୍ତ୍ର କଳା ପରିବର୍ତ୍ତେ ଗଣମାଧ୍ୟମର ମୁଖ୍ୟସ୍ରୋତରେ ସାମିଲ ହୋଇଛି ।


 

ଆମ ଦେଶରେ ଗୋଆ, ମୁମ୍ୱାଇ ଓ କୋଲକାତାରେ ଆୟୋଜିତ ତିନିଗୋଟି ଫିଲ୍ମ ଫେଷ୍ଟିଭାଲରେ ଅଧିକ ବିଦେଶୀ ଚଳଚ଼ିତ୍ର ପ୍ରଦର୍ଶନ ସାଙ୍ଗକୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ଚଳିତ ବର୍ଷ ଅକ୍ଟୋବର ୧୨ ରୁ ୧୮ ତାରିଖ ଯାଏଁ ମୁମ୍ୱାଇ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ସପ୍ତାହବ୍ୟାପୀ ମହୋତ୍ସବରେ ୪୯ଗୋଟି ରାଷ୍ଟ୍ରରେ ପ୍ରଯୋଜିତ ୨୨୦ଗୋଟି ଚଳଚ଼ିତ୍ର ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି ।


 

ମୁମ୍ୱାଇ ଫିଲ୍ମ ଫେଷ୍ଟିଭାଲ ୧୯୯୭ ମସିହାରେ ବିଶିଷ୍ଟ ହିନ୍ଦି ଚଳଚ଼ିତ୍ର ନିର୍ଦ୍ଦେଶକ ହୃଷୀକେଶ ମୁଖର୍ଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା । ମୁମ୍ୱାଇ ଏକାଡ଼େମୀ ଅଫ ମୁଭିଙ୍ଗ ଇମେଜ ଅନୁଷ୍ଠାନ ଆନୁକୂଲ୍ୟରେ ଭାରତୀୟ ଚଳଚ଼ିତ୍ର ଜଗତରେ ସୃଜନତା ବିକାଶ ନିମନ୍ତେ ଆନ୍ତର୍ଜାତିକସ୍ତରର ପ୍ରସିଦ୍ଧି ଲାଭକରିଥିବା ଚଳଚ଼ିତ୍ରଗୁଡ଼ିକର ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ଶ୍ୟାମବେନେଗାଲଙ୍କ ଅଧ୍ୟକ୍ଷତାରେ ଏହି ଅନୁଷ୍ଠାନର ଟ୍ରଷ୍ଟିଭାବେ ଜୟା ବଚ୍ଚନ, ସବନା ଆଜମୀ, କରଣ ଜୋହର ଓ ଫରହାନ ଆଖତାର ପ୍ରମୁଖ ରହିଛନ୍ତି ।


 

ମୁମ୍ୱାଇ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ନିମନ୍ତେ ଦର୍ଶକଙ୍କୁ ଅଗ୍ରୀମ ପ୍ରତିନିଧିଭାବେ ପଞ୍ଜୀକୃତ ହେବାକୁ ପଡିଥାଏ । ପଞ୍ଜୀକରଣ ପ୍ରକ୍ରିୟା ଫେଷ୍ଟିଭାଲ ୱେବସାଇଟରେ ଅନଲାଇନ ପ୍ରକ୍ରିୟାରେ ୬ ସେପ୍ଟେମ୍ୱରରୁ ଆରମ୍ଭ ହୋଇଛି ଏବଂ ଉତ୍ସବ ଶେଷଯାଏଁ ଚ଼ାଲିବ । ସାଧାରଣ ପ୍ରତିନିଧି ଚ଼ନ୍ଦା ଦୁଇ ହଜାର ଓ ଦୈନିକ ପ୍ରତିନିଧି ଚ଼ାନ୍ଦା ପାଞ୍ଚଶହ ଟଙ୍କା ନିର୍ଦ୍ଧାରିତ ହୋଇଛି । ବରିଷ୍ଠନାଗରିକ ଓ ଛାତ୍ରମାନଙ୍କ ନିମନ୍ତେ କିଛି ରିହାତିର ବ୍ୟବସ୍ଥା ମଧ୍ୟ କରାଯାଇଛି ।


 

ଫେଷ୍ଟିଭାଲରେ ଚଳଚ଼ିତ୍ରଗୁଡ଼ିକ ଅନ୍ଧେରୀର ଇନଫିନିଟି ଓ ସିଟି ମଲ, ଜୁହୁ, ଲୋଏର ପରେଲ ଫୋନିକ୍ସ ମଲ, କୁର୍ଲା ଫୋନିକ୍ସ ମାର୍କେଟସିଟି ମଲ, ଥାନେର ପିଭିଆର ଥିଏଟର୍ସ ଓ ଫ୍ଳୋରାଫାଉଣ୍ଟେନର ପୁରାତନ ରିଗାଲ ସିନେମା ହଲରେ ପ୍ରଦର୍ଶିତ ହେବ । ନିର୍ଦ୍ଧାରିତ ପ୍ରଦର୍ଶନ ସୂଚ଼ୀ ଆଧାରରେ ପଞ୍ଜୀକୃତ ପ୍ରତିନିଧିମାନେ ଚଳଚ଼ିତ୍ରଗୁଡ଼ିକର ପ୍ରଦର୍ଶନର ଦିନକ ପୂର୍ବରୁ ଅନଲାଇନରେ ‘ବୁକ-ମାଇ-ସୋ’ ଇ-କମର୍ସ ସାଇଟରେ ଜଣକ ପିଛା ଦୈନିକ ସର୍ବାଧିକ ଚାରିଗୋଟି ସୋ’ ପାଇଁ ସିଟ ସଂରକ୍ଷଣ କରିପାରିବେ ।


 

ସିଟ ସଂରକ୍ଷଣ ବ୍ୟବସ୍ଥା ଫାଷ୍ଟ-କମ-ଫାଷ୍ଟ-ସେରଭଡ଼ ଧାରାରେ ପରିଚ଼ାଳନା ହେଉଥିବାବେଳେ ଦର୍ଶକଙ୍କୁ ନିର୍ଦ୍ଧିଷ୍ଟ ଚଳଚ଼ିତ୍ର ଦେଖିବା ନିମନ୍ତେ ସୁଯୋଗ ସୃଷ୍ଟିଲାଗି କେତେକ ପ୍ରସିଦ୍ଧ ଚଳଚ଼ିତ୍ରର ଏକାଧିକବାର ପ୍ରଦର୍ଶନର ବ୍ୟବସ୍ଥା ହୋଇଛି ।


 

ଉଚ୍ଚମାନର ପୂର୍ଣ୍ଣଙ୍ଗ ଚଳଚ଼ିତ୍ର ଅନୁଧ୍ୟାନ ସାମ୍ୱାଦିକମାନଙ୍କୁ ପ୍ରାମାଣିକ ଚଳଚ଼ିତ୍ର ନିର୍ମାଣ ଓ ସମ୍ୱାଦଭିତ୍ତିକ ଭିଡ଼ିଓ ପ୍ରସ୍ତୁତିରେ ଦିଗଦର୍ଶନ ଦେବାର ଉପାଦାନ ଭରିରହିଛି । ମୂଳକଥା ହେଲା ଉତ୍ତମ ଚଳଚ଼ିତ୍ର ପ୍ରଦର୍ଶନ ଦର୍ଶକଙ୍କୁ ଉତ୍କର୍ଷତା ପ୍ରତି ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ସର୍ଜନଶୀଳ ହେବାନିମନ୍ତେ ପ୍ରୋତ୍ସାହିତ କରିଥାଏ । ସାମ୍ୱାଦିକମାନେ ସ୍ୱକୀୟ କଳାକୌଶଳ ଶାଣିତ କରିବା ନିମନ୍ତେ ସଂଗ୍ରହାଳୟ, କଳାତ୍ମକ ପ୍ରଦର୍ଶନୀ ଓ ଚଳଚ଼ିତ୍ର ଉତ୍ସବଗୁଡ଼ିକୁ ସମୟାନ୍ତେ ପରିଦର୍ଶନ କରିବା ବିଧେୟ ।


 

ଫିଲ୍ମ ଫେଷ୍ଟିଭାଲରେ ଯୋଗଦେଲେ ନିର୍ଦ୍ଧିଷ୍ଟ ସମୟପାଇଁ କେବଳ ଚଳଚ଼ିତ୍ର ଦେଖିବା ତଥା ଫୋଟୋଗ୍ରାଫି, ଲାଇଟିଂ, କମ୍ପୋଜିସେନ, ଏଡ଼ିଟିଂ, ସ୍ପେସିଆଲ ଏଫେକ୍ଟ ଭଳି ବିଭିନ୍ନ ବିଷୟରେ ତନ୍ନତନ୍ନ ଅନୁଶୀଳନଲାଗି ସୁଯୋଗ ସୃଷ୍ଟି କରିଥାଏ । ଏତଦ୍ ବ୍ୟତୀତ ଫେଷ୍ଟିଭାଲ ଅବସରରେ ଆୟୋଜିତ ପ୍ରଦର୍ଶନୀ ଓ ଆଲୋଚନାଚ଼କ୍ରମାନ ଜ୍ଞାନର ପରିଧି ସଂପ୍ରସାରିତ କରିବା ନିମନ୍ତେ ସହାୟକ ହୋଇଥାଏ । ସାଧ୍ୟମତେ ଏଭଳି ସୁବିଧାସୁଯୋଗ ଆହରଣ କରିବା ବୁଦ୍ଧିମତାର ପରିଚ଼ୟ । ସାମ୍ୱାଦିକତା ଶିକ୍ଷାନୁଷ୍ଠାନଗୁଡ଼ିକ ପକ୍ଷରୁ ଫିଲ୍ମଫେଷ୍ଟିଭାଲ ପରିଦର୍ଶନ ଶିକ୍ଷାଭ୍ରମଣ ବା ଷ୍ଟଡ଼ିଟୁରରେ ଅନ୍ତର୍ଭୁକ୍ତ କଲେ ସୁଦୂରପ୍ରସାରୀ ପ୍ରଭାବ ଆଶା କରାଯାଇପାରେ ।


 

ମୁମ୍ୱାଇ ଫିଲ୍ମ ଫେଷ୍ଟିଭାଲ ପରକୁ ଚଳିତ ୨୦୧୭ ନଭେମ୍ୱର ୧୦ ରୁ ୧୭ ଯାଏଁ କୋଲକତା ଇଣ୍ଟରନ୍ୟାସନାଲ ଫିଲ୍ମଫେଷ୍ଟିଭାଲ ଏବଂ ଗୋଆରେ ନଭେମ୍ୱର ୨୦ ରୁ ୨୮ ଯାଏଁ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ଅନୁଷ୍ଠିତ ହେବ । ଏହି ସବୁ ଫେଷ୍ଟିଭାଲରେ ଯୋଗଦେବା ନିମନ୍ତେ ପ୍ରତିନିଧିଭାବେ ଅଗ୍ରୀମ ପଞ୍ଜୀକରଣ ଆବଶ୍ୟକ ପଡ଼ିଥାଏ ।          


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୨ ସେପ୍ଟେମ୍ୱର ୨୦୧୭


ତଥ୍ୟ:


 

<https://www.mumbaifi।mfestiva।.com>


ସର୍ଟ ଫିଲ୍ମ ଫେଷ୍ଟିଭାଲ

କୋଲକତାରେ ‘ସାଉଥ ଏସିଆନ ସର୍ଟ ଫିଲ୍ମ ଫେଷ୍ଟିଭାଲ ୨୦୧୯’ ମାର୍ଚ୍ଚ ୧୮ ରୁ ୩୧ ତାରିଖ ଦୀର୍ଘ ୧୪ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଫିଲ୍ମ ଫେଷ୍ଟିଭାଲର ଏହା ଦ୍ୱିତୀୟ ସଂସ୍କରଣ । ପ୍ରଥମ ସଂସ୍କରଣ ୨୦୧୮ ମାର୍ଚ୍ଚ ୩୦ ରୁ ଏପ୍ରିଲ ୯ ତାରିଖ ଯାଏଁ ଆୟୋଜିତ ହୋଇଥିଲା । ‘ଫଡ଼ରେସନ ଅଫ ଫିଲ୍ମ ସୋସାଇଟିସ ଇନ ଇଣ୍ଡିଆ’ର ପୂର୍ବାଞ୍ଚଳ ଶାଖା ଆନୁକୂଲ୍ୟରେ ପ୍ରଯୋଜିତ ଫିଲ୍ମ ଫେଷ୍ଟିଭାଲରେ ସର୍ବମୋଟ ୨୭୧ ଗୋଟି ସର୍ଟଫିଲ୍ମ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଥିଲା । ପୂର୍ବ-ଭାରତରେ ସର୍ଟ ଫିଲ୍ମକୁ ପ୍ରୋତ୍ସାହନ ଦିଗରେ ଆଲୋଚ୍ୟ ଫେଷ୍ଟିଭାଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ବିଚ଼ାର କରାଯାଏ ।


 

ଫୋଟୋଗ୍ରାଫିରେ ଡ଼ିଜିଟାଲ କାରିଗରୀ କୌଶଳ ବିକାଶ ଭିଡ଼ିଓ ପ୍ରସ୍ତୁତି ଓ ପ୍ରଦର୍ଶନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ମୁଖ୍ୟତଃ ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକର ଶେଷଭାଗରେ ସ୍ମାର୍ଟଫୋନର ବିକାଶ ଏବଂ ଦ୍ୱିତୀୟ ଦଶକ ଆରମ୍ଭରୁ ଭାରତରେ ବହୁଳ ବ୍ୟବହାର ଭିଡ଼ିଓ ଉତ୍ତୋଳନ, ସମ୍ପାଦନା ଓ ପ୍ରଦର୍ଶନ ଶସ୍ତା, ସରଳ ଓ ସର୍ବଜନ ବ୍ୟବହାରଯୋଗ୍ୟ କରିବା ପରେ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନର ପାରମ୍ପରିକ ମୂଲ୍ୟବୋଧରେ ପରିବର୍ତ୍ତନ ସଂଭବପର ହୋଇଛି ।


 

ଊନବିଂଶ ଶତାଦ୍ଦୀର ଶେଷ ପାଦରେ ଚଳଚ଼ିତ୍ର କାରିଗରୀ କୌଶଳ ଉଦ୍ଭାବନ ଓ ଏକବିଂଶ ଶତାଦ୍ଦୀ ପ୍ରାରମ୍ଭରେ ଭାରତରେ ଡ଼ିଜିଟାଲ କାରିଗରୀ କୌଶଳ ବିକାଶ ଯାଏଁ ଶହେ ବର୍ଷ ଧରି ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନ ଏକ ବ୍ୟୟବହୁଳ ଶିଳ୍ପରୂପେ ମୁଣ୍ଡ ଟେକିଥିଲା । ଚଳଚ଼ିତ୍ର ନିର୍ମାଣଲାଗି ଖୁବ କମ ସଂଖ୍ୟକ ସର୍ଜନଶୀଳ ପ୍ରତିଭା ସୁଯୋଗ ପାଉଥିଲେ । ବିଭିନ୍ନ କାରଣରୁ ଏହାର ସଂଙ୍କୁଚିଚ ପରିଧି ସର୍ବସାଧାରଣଙ୍କୁ ଦୂରେଇ ରଖୁଥିଲା । ତେବେ ଡ଼ିଜିଟାଲ କାରିଗରୀ କୌଶଳର ବିକାଶ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନର ପ୍ରତ୍ୟେକଟି ପାଦରେ ଖର୍ଚ୍ଚକାଟ ସାଙ୍ଗକୁ ଉନ୍ନତମାନର ଉତ୍ପାଦ ଲାଗି ସୁଯୋଗ ସୃଷ୍ଟି ମୁଖ୍ୟସ୍ରୋତର ବ୍ୟାବସାୟିକ ଚଳଚ଼ିତ୍ର ସାଙ୍ଗକୁ ବିକଳ୍ପ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନ ନିମନ୍ତେ ଭିତ୍ତିଭୂମି ସୃଷ୍ଟି କରିପାରିଛି ।


 

ଏତାଦୃଶ ପରିବେଶରେ ସର୍ଟ ଫିଲ୍ମ ବିଶ୍ୱବ୍ୟାପୀ ପ୍ରତିଭାଧରଙ୍କ ଲାଗି ନୂତନ ସମ୍ଭାବନା ଆଣିଦେଇଛି । ମୁଖ୍ୟସ୍ରୋତର ଚଳଚ଼ିତ୍ରଗୁଡ଼ିକ ପ୍ରାୟତଃ ଫିକ୍ସନାଲ ଥିବାସ୍ଥଳେ ସର୍ଟଫିଲ୍ମରେ ଉଭୟ ଫିକ୍ସନ ଓ ଡ଼କ୍ୟୁମେଣ୍ଟରି ଗୁରୁତ୍ୱ ବହନ କରୁଥିବା ଦେଖାଯାଏ । ଅଧିକାଂଶ ସର୍ଟ ଫିଲ୍ମ ଟେଲିଭିଜନ ସିରିଜର ଅଧ୍ୟାୟ ପଦାଙ୍କରେ ୩୦ ମିନଟ ଆଖପାଖ ଅବଧିରେ ନିର୍ମିତ ହେଉଥିବା ସ୍ଥଳେ ଆବଶ୍ୟକତା ଅନୁଯାୟୀ ଦୁଇ ତିନି ମିନଟରୁ ଘଣ୍ଟାଏ ବା ତତୁର୍ଦ୍ଧ ସମୟସୀମା ମଧ୍ୟ ଗୃହୀତ ହୋଇଥାଏ । ସର୍ଟ ଫିଲ୍ମର ସ୍ୱଳ୍ପ ଅବଧି ମୌଳିକତା ପରିସ୍ମୁଟନରେସହାୟକ ହେଉଥିବା ଲକ୍ଷ୍ୟ କରାଯାଏ।


 

ସର୍ଟ ଫିଲ୍ମର ବ୍ୟାବସାୟିକ ଅଙ୍ଗୀକ ବା ‘ବିଜିନେସ ମଡ଼େଲ’ ପୂର୍ଣ୍ଣ ବିକଶିତ ହୋଇପାରି ନାହିଁ । ଫିଲ୍ମ ଫେଷ୍ଟିଭାଲ ଭିନ୍ନ ଚଳଚ଼ିତ୍ର ପ୍ରେକ୍ଷାଳୟର ରୂପେଲି ପରଦାରେ ସର୍ଟ ଫିଲ୍ମ ପ୍ରଦର୍ଶନର ସୁଯୋଗ ନ ଥାଏ । ଟେଲିଭିଜନ ଚ଼୍ୟାନେଲଗୁଡ଼ିକର ପ୍ରସାରଣରେସର୍ଟ ଫିଲ୍ମର ସ୍ଥାନ ସୀମିତ । ଷ୍ଟ୍ରିମିଂ ଓ ୱେବ ପୋର୍ଟାଲରେ ସର୍ଟ ଫିଲ୍ମ ପ୍ରସାରଣର ସମ୍ଭାବନା ଥିଲେ ହେଁ ଏଦିଗରେ ବିଶେଷ ଅଗ୍ରଗତି ସଂଭବପର ହୋଇପାରି ନାହିଁ । ଫଳରେ ସର୍ଟ ଫିଲ୍ମ ନିର୍ମାଣ ସଉକ ମେଣ୍ଟାଇବା କିମ୍ୱା ମୂଳସ୍ରୋତ ଚଳଚ଼ିତ୍ର ଶିକ୍ଷାନବୀଶଙ୍କ ନିମନ୍ତେ ପରୀକ୍ଷାଗାର ଅବସ୍ଥାରେ ଅଟକିଛି । ଅବଶ୍ୟ ସ୍ମାର୍ଟଫୋନ ଭଳି ହେଣ୍ଡହେଲଡ଼ ମୋବାଇଲ ସ୍କ୍ରିନର ବହୁଳ ବ୍ୟବହାର ଏବଂ ଉପଭୋକ୍ତାମାନେ ଗ୍ରାହକ ଚ଼ାନ୍ଦା ଦେଇ ଷ୍ଟ୍ରିମିଂ ପ୍ରସାରଣ ଉପଭୋଗଧାରା କ୍ରମଶଃ ବୃଦ୍ଧି ପାଇଚ଼ାଲିଥିବା ଅବସରରେ ସର୍ଟ ଫିଲ୍ମ ପ୍ରଦର୍ଶନ ନିମନ୍ତେ ଉନ୍ନତ ବିଜନେସ ମଡ଼େଲ ବିକାଶ ଆଶା କରାଯାଇପାରେ ।


 

ଚଳଚ଼ିତ୍ର ନିମନ୍ତେ ଚ଼ିତ୍ରନାଟ୍ୟ ରଚନା ଠାରୁ ଆରମ୍ଭ କରି ସମ୍ପାଦନା, ଶଦ୍ଦ ସଂଯୋଜନା, ଗ୍ରାଫିକ୍ସ ବା ନିର୍ଦ୍ଦେଶନା ଚଳଚ଼ିତ୍ର ନିର୍ମାଣ ବିଷୟକ ବିଭିନ୍ନ କ୍ଷେତ୍ରରେ ନବାଗତଙ୍କୁ ସ୍ୱକୀୟ ପ୍ରତିଭା ପ୍ରଦର୍ଶନ ନିମନ୍ତେ ସର୍ଟ ଫିଲ୍ମ ଏକ ଆକର୍ଷଣୀୟ ସୁଯୋଗ । ସେହିପରି ଅଭିନେତା, ଗାୟକ ବା ସଙ୍ଗୀତ ନିର୍ଦ୍ଦେଶକଙ୍କ ନିମନ୍ତେ ମଧ୍ୟ ଉପଯୋଗୀ । ମୂଳସ୍ରୋତର ଚଳଚ଼ିତ୍ର ଓ ଟେଲିଭିଜନ ପ୍ରଯୋଜକମାନେ ସର୍ଟ ଫିଲ୍ମରୁ ପ୍ରତିଭା ଚୟନ କରିବା ନିମନ୍ତେ ପ୍ରକୃଷ୍ଟ କ୍ଷେତ୍ର ପାଇଥାନ୍ତି ।


 

ଡ଼କ୍ୟୁମେଣ୍ଟରି ନିର୍ମାଣ ଓ ପ୍ରଦର୍ଶନରେ ବିଜିନେସ ମଡ଼େଲ ପ୍ରଚଳନ ନଥିବା ସ୍ଥଳେ ସର୍ଟ ଫିଲ୍ମ ଅନୁକୂଳ ପରିବେଶ ସୃଷ୍ଟି କରିଛି । ସ୍ମାର୍ଟଫୋନ ଭଳି ନିତ୍ୟବ୍ୟବହାର୍ଯ୍ୟ ସରଞ୍ଜାମ ଯୋଗେ ଭିଡ଼ିଓ ଉତ୍ତୋଳନର ସୁବିଧା ସାଧାରଣ ଜୀବନର ଅନେକ ଘଟଣାକ୍ରମର ଚ଼ିତ୍ରାଙ୍କନ ସମ୍ଭବପର ହୋଇପାରୁଛି । ଫଳରେ ଅତୀତରେ ଲୋକଲୋଚନକୁ ନ ଆସିପାରୁଥିବା ଅନେକ ଦୃଶ୍ୟ ଭିଡ଼ିଓ ଡ଼କ୍ୟୁମେଣ୍ଟରି ଯୋଗେ ପ୍ରଦର୍ଶନର ସୁଯୋଗ ସୃଷ୍ଟି କରୁଛି । ଫିକ୍ସନାଲ ସର୍ଟ ଫିଲ୍ମ ପାଇଁ ବିଜିନେସ ମଡ଼େଲ ବିକଶିତ ହେଲେ ଡ଼କ୍ୟୁମେଣ୍ଟରି ସର୍ଟ ଫିଲ୍ମପ୍ରଦର୍ଶନର ସୁଯୋଗ ସୃଷ୍ଟି ହୋଇପାରିବା ଆଶା କରାଯାଏ ।


 

ଏହି ପରିବେଶରେ ଫେଷ୍ଟିଭାଲଗୁଡ଼ିକ ଦେଶରେ ପ୍ରଯୋଜିତ ସର୍ଟ ଫିଲ୍ମଗୁଡ଼ିକର ଗୁଣାତ୍ମକ ପ୍ରଦର୍ଶନ ନିମନ୍ତେ ମଞ୍ଚ ପ୍ରସ୍ତୁତ କରିଥାନ୍ତି । କୋଲକତାରେ ଅନୁଷ୍ଠିତ ‘ସାଉଥ ଏସିଆନ ସର୍ଟ ଫିଲ୍ମ ଫେଷ୍ଟିଭାଲ - ୨୦୧୯’ରେ କୋଲକତାରେ ନିର୍ମିତ ସର୍ଟ ଫିଲ୍ମଗୁଡ଼ିକ ହିଁମୁଖ୍ୟସ୍ଥାନ ଅଧିକାର କରିଥିଲା । ତତ୍ ସଙ୍ଗେ ମରଠୀ, ମାଳାୟଳମ, ତାଲିମ, ତେଲୁଗୁ ଓ ଆସାମୀ ଭାଷାଭାଷୀ ଅଞ୍ଚଳର କିଛି ଚଳଚ଼ିତ୍ର ମଧ୍ୟ ସ୍ଥାନ ପାଇଥିଲା । ଓଡ଼ିଶା ସଂପର୍କୀତ ହିମାଂଶୁ ଖଟୁଆଙ୍କ ମୋଗଲ ତାମସା, ବିଶ୍ୱନାଥ ରଥଙ୍କ କୋରାପୁଟ କୋଟପାଡ଼ ହସ୍ତତନ୍ତ୍ର ଓ ସିଦ୍ଧାର୍ଥ ଗୌତମଙ୍କ ‘ଚୁପ’ ଚଳଚ଼ିତ୍ର ପ୍ରଦର୍ଶିତ ହୋଇଥିଲା । ଫିଲ୍ମ ଫେଷ୍ଟିଭାଲଟି ଦକ୍ଷିଣ ଏସୀୟ ଦେଶପୁଞ୍ଜଲାଗି ଉର୍ତ୍ସଗୀକୃତ ହୋଇଥିଲେ ହେଁ ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ଓ ଆଫଗାନସ୍ଥାନ ଚ଼ାରିଗୋଟି ପଡ଼ୋଶୀ ରାଷ୍ଟ୍ରରୁ ମାତ୍ର କେତେଗୋଟି ସର୍ଟ ଫିଲ୍ମ ସନ୍ନିବେଶିତ ହୋଇଥିଲା ।


 

‘ସାଉଥ ଏସିଆନ ସର୍ଟ ଫିଲ୍ମ ଫେଷ୍ଟିଭାଲ’ର ଦ୍ୱିତୀୟ ସଂସ୍କରଣରେ ବହୁ ଉଚ୍ଚମାନର ଚଳଚ଼ିତ୍ର ପ୍ରଦର୍ଶିତ ହୋଇଛି । ସଂପ୍ରତିକ ପରିପ୍ରେକ୍ଷୀରେ ଭାରତରେ ଧାର୍ମିକ ବିଦ୍ୱେଷ ଆଧାରରେ ନିର୍ମିତ ଫିକ୍ସନାଲ ସର୍ଟ ଫିଲ୍ମ‘ହର୍ଷିତ’ ଓ ‘ଗଙ୍ଗା ପ୍ରପତି’ ଦର୍ଶକଙ୍କ ମନରେ ଗଭୀର ରେଖାପାତ କରିଥିଲା । ଲେଖକ ଓ ନିର୍ଦ୍ଦେଶକ ଧ୍ରୁବ ହର୍ଷଙ୍କ ୨୫ ମିନଟ ଅବଧିର ହିନ୍ଦି ସର୍ଟ ଫିଲ୍ମ‘ହର୍ଷିତ’, ସେକ୍ସପିଅରଙ୍କ ‘ହାମଲେଟ’ ନାଟକଦ୍ୱାରା ଅନୁପ୍ରାଣିତ । ମୁମ୍ୱାଇର ଏକ ମୁସଲମାନ ବହୁଳ ଜନାକୀର୍ଣ୍ଣ ଗଳିରେ ବସବାସ କରୁଥିବା ହିନ୍ଦୁ ଯୁବକ ହର୍ଷିତ ତା’ର ପଡ଼ୋଶୀ ମୁସଲମାନ ରହିଳା ସହ ପ୍ରେମାବଦ୍ଧ । ତେବେ ରହିଳାର ପିତା ହର୍ଷିତର ମା’ର ପ୍ରେମିକ ଓ ଅତୀତରେ ହର୍ଷିତର ବାପାଙ୍କୁ ହତ୍ୟା କରିଥାଏ । ହର୍ଷିତର ମା’ର ଭାଷାରେ ହର୍ଷିତ ରହିଳାର ବାପାଙ୍କ ଔରସରୁ ଜନ୍ମ । ରହିଳାର ପିତା ହର୍ଷିତ ଓ ରହିଳାର ପ୍ରେମ ତଥା ଶାରିରୀକ ସଂପର୍କ ଜାଣିବାପରେ ରହିଳାଙ୍କୁ ହତ୍ୟା କରେ । ହର୍ଷିତ ରହିଳାର ପିତାକୁ ହତ୍ୟା କରି ନିଜ ବାପା ଓ ପ୍ରେମିକାର ହତ୍ୟାର ପ୍ରତିଶୋଧ ନିଏ । ସର୍ଟ ଫିଲ୍ମଟିରେ ଅଭିନୟ, ଲୋକେସନ ଓ ସଂଳାପ ସାଙ୍ଗକୁ ଚ଼ିତ୍ରନାଟ୍ୟଉଚ୍ଚକୋଟିର ।


 

ଉତ୍ତର-ଭାରତର କୌଣସି ଏକ ଛୋଟ ସହରରେ ଜଣେ ବଙ୍ଗାଳୀ ଭଦ୍ରବ୍ୟକ୍ତି ରବିବାର ଛୁଟି ଦିନ ଗଙ୍ଗାନଦୀକୂଳରେ ମାଛ ଧରିବାକୁ ବନସୀ ଧରି ପହଞ୍ଚନ୍ତି । ନଦୀରେ ଗାଈ ଶବଟିଏ ବହି ଆସିଥାଏ । ଏକ ଚମାର ଯୁବକ ତାହା ଦେଖି ବାପାଙ୍କୁ ଡ଼ାକି ଆଣି ଦିହେଁ ଗାଈର ଚ଼ମ଼ଡ଼ା ଉତ୍ତାରିବାକୁ ଉଦ୍ୟମ କରନ୍ତି । ଗଙ୍ଗାନଦୀରେ ସ୍ନାନାର୍ଥେ ଆସିଥିବା ଜଣେ ପଣ୍ଡିତ ଏହି ଦୃଶ୍ୟ ଦେଖି ସ୍ଥାନୀୟ ଗୋ-ରକ୍ଷକଙ୍କୁ ଖବର ଦିଅନ୍ତି ଏବଂ ଗୋ-ରକ୍ଷକମାନେ ନଦୀକୂଳରେ ପହଞ୍ଚି ଚମାରକୁ ପିଟିପିଟି ବେହସ କରି ଗଙ୍ଗାନଦୀରେ ଭସାଇ ଦିଅନ୍ତି । ମଧ୍ୟବିତ୍ତ ବଙ୍ଗାଳୀ ବାବୁ ଚୁପଚ଼ାପ ସବୁ ଦେଖି ଘରକୁ ଫେରନ୍ତି । ଏକ ପକ୍ଷରେ ଧାର୍ମିକ ଅନ୍ଧତା ସଂପ୍ରସାରଣ ସାଙ୍ଗକୁ ଅପର ପକ୍ଷରେ ସାଧାରଣ ଜନତାଙ୍କ ଅସହୟତା ଚଳଚ଼ିତ୍ରଟିରୁ ସୁସ୍ୱଷ୍ଟ । ଦୋବାଲ ବସୁଙ୍କ ଦ୍ୱାରା ନିର୍ଦ୍ଦେଶିତ ୨୬ ମିନଟର ‘ଗଙ୍ଗା ପ୍ରପତି’ ସର୍ଟ ଫିଲ୍ମଟି ବେଶ୍ ଚ଼ିନ୍ତାଦ୍ୟୋକ ।


 

ଦେବବ୍ରତ ଭୌମିକଙ୍କ ୩୦ ମିନଟ ସର୍ଟ ଫିଲ୍ମ‘ଆଇନା’ ପଶ୍ଚିମବଙ୍ଗ ପୁରୁଲିଆ ଆଦିବାସୀଙ୍କ ଦାରିଦ୍ର୍ୟର ଏକ ନିଚ୍ଛକ ପ୍ରତିଛବି । ଲକ୍ଷ୍ମୀ ଗାଁ ମୁଣ୍ଡ ଜଙ୍ଗଲରେ ବାପା ମାଆଙ୍କ ସହ ବସବାସ କରେ । ଲକ୍ଷ୍ମୀ ଖନା, କିନ୍ତୁ ବିଦ୍ୟାଳୟ ଯାଏ । ଲକ୍ଷ୍ମୀର ବାପା ମଦ୍ୟପ ଓ ଅଳସୁଆ । ମା’ ଦିନସାରା ମଜୁରି ଲାଗି ଘର ଚଳାଏ । ଲକ୍ଷ୍ମୀର ଘରେ ଦର୍ପଣ ନଥାଏ । ତା’ର ମା ଭଙ୍ଗା ଦର୍ପଣ ଦେଖି କପାଳରେ ଚ଼ିତା ଲଗାଏ । ଏହା ଅଶୁଭ କୁହାଯାଉଥିବା ହେତୁ ଲକ୍ଷ୍ମୀ ଏକ କାବାଡ଼ିବାଲାଠାରୁ ପରିତ୍ୟକ୍ତ ଦର୍ପଣଟିଏ ଆଣି ମରାମତ କରି ମା’କୁ ଦିଏ । ସର୍ଟ ଫିଲ୍ମଟିର କାହାଣୀ ଓ ଦାରିଦ୍ର୍ୟର ଚ଼ିତ୍ରଣ ମନଛୁଆଁ ।


 

କୌଶିକ ମଣ୍ଡଳଙ୍କ ୨୨ ମିନଟର ଫିକ୍ସନାଲ ସର୍ଟ ଫିଲ୍ମ‘କଲର ପେନସିଲ’ରେ ଅବିର ଓ ତୁଳୀ ପ୍ରଣୟାବଦ୍ଧ । ଅବିର ଚ଼ାକିରି ନପାଇଥିବା ହେତୁ ତୁଳୀ ଚ଼ାକିରି କରୁଥିବା ଏକ ଯୋଗ୍ୟ ବର ସହ ବିବାହ କରି ଚ଼ାଲିଯାଏ । ଅବିର ସ୍କୁଲ ଶିକ୍ଷକଭାବେ ଚ଼ାକିରି ପାଏ ଏବଂ ଆଠ ବର୍ଷପରେ ଏକ ମଫସଲ ସ୍କୁଲକୁ ବଦଳି ହୋଇଯାଏ । ସେଠି ତାହାର ଛାତ୍ରୀର ମାର୍ଫତରେ ମିଶେ ତାହାର ମା’ ତୁଳୀକୁ । କାହାଣୀ, ଅଭିନୟ, ଲୋକେସନ ଓ ଚ଼ିତ୍ରନାଟ୍ୟ ଉଚ୍ଚକୋଟୀର ।


 

ଜଗନ୍ନାଥ ଚଟ୍ଟୋପାଧାୟଙ୍କ ୨୪ ମିନଟର ଫିକ୍ସାନାଲ ସର୍ଟ ଫିଲ୍ମ‘ସୁଖସାଗର-ଡ଼ଟ-କମ’ରେ ଲାବଣ୍ୟପ୍ରଭା ସ୍ୱଚ୍ଛଳବର୍ଗର ଏକ ବିଧବା ମହିଳା । ତାଙ୍କରି ଦେଖାଶୁଣା କରିବା ନିମନ୍ତେ ଜଣେ ବିଧବା ଯୁବତୀ ନିଯୁକ୍ତ ହୋଇଥାନ୍ତି । ଲାବଣ୍ୟପ୍ରଭାଙ୍କ ପୁଅ, ବୋହୁ ଓ ନାତୁଣୀ ତଥା ଝିଅ ଅନ୍ୟତ୍ର ବସବାସ କରନ୍ତି । ପାରମ୍ପରିକଭାବେ ଲାବଣ୍ୟପ୍ରଭା ହୁଏତ ଆଶା କରିଥିଲେ ଯେ ପତିଙ୍କ ଅନ୍ତେ ଛୋଟ ପରିବାରଟିକୁ ନେଇ ସୁଖଶାନ୍ତିରେ ବଞ୍ଚିବେ । ତେବେ ତାହା ସଂଭବପର ହୋଇପାରି ନାହିଁ । ଚଳଚ଼ିତ୍ରର ଆକର୍ଷଣ ହେଲା ମୂଳରୁ ଶେଷ ଯାଏଁ ଲାବଣ୍ୟପ୍ରଭା ଯେଉଁ ପାରିବାରିକ ବନ୍ଧନ ଆଶା କରୁଥିଲେ ତାହା ଚ଼ିତ୍ରିତ ହୋଇଛି । କିନ୍ତୁ ଶେଷରେ ଉନ୍ମୋଚ଼ିତ ହୋଇଛି ଯେ ଯାହା ପ୍ରଦର୍ଶିତ ହୋଇଛି ତାହା ପ୍ରହେଳିକା । ଲାବଣ୍ୟପ୍ରଭା ଏକାକୀ, ଅସହାୟ ଓ ଦୁଃଖୀ ।


 

ଉତ୍ପଳ ଦାସଙ୍କ ୨୬ ମିନଟର ଡ଼କ୍ୟୁମେଣ୍ଟରି ‘ଲିଭିଂ ଉଇଥ ଡ଼େଡ’ କୋଲକତାରେ ମାଦେରିଆ ନାମକ ପ୍ରବାସୀଙ୍କ ଦ୍ୱାରା ସ୍ଥାପିତ ଦୁଇଶହ ବର୍ଷର ଶବ ସଂରକ୍ଷଣ ଓ ସତ୍କାର ବ୍ୟବସାୟ ସଂପର୍କରେ ତର୍ଜମା କରାଯାଇଥିଲା । ସୁବ୍ରତ ସେନଙ୍କ ୬୬ ମିନଟର ଡ଼କ୍ୟୁମେଣ୍ଟରି ‘କାଳୀ’ରେ ବଙ୍ଗରକାଳୀପୂଜା ତତ୍ତ୍ୱ ଓ କାଳୀ ଝିଅଙ୍କ ଦୁର୍ଦ୍ଦଶା ବର୍ଣ୍ଣିତ । ସାନ୍ତନୁ ରାୟଙ୍କ ୨୮ ମିନଟର ଡ଼କ୍ୟୁମେଣ୍ଟରି ‘ଏ ପ୍ଳେସ କାଲଡ଼ ମୁସ୍ତାଙ୍ଗ’ ମଧ୍ୟ-ପୂର୍ବନେପାଳର ମୁସ୍ତାଙ୍ଗ ଉପତ୍ୟକାକୁ ମୋଟର ସାଇକଲ ଯୋଗେ ଯାତ୍ରା ଓ ସେଠାକାର ଜନବସତି ଚ଼ିତ୍ରିତ ।


 

ଗୁରୁପ୍ରସାଦ ସିଂଙ୍କ ମାତ୍ର ୬ ମିନଟର ଡ଼କ୍ୟୁମେଣ୍ଟରି ‘ସାରେ ଜହାଁ-ସେ ଆଚ୍ଛା’ରେ ଏକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଇକବାଲଙ୍କ ତରାନେ-ଇ-ହିନ୍ଦ ସଂପର୍କରେ ସୂଚ଼ନା ଦେଇ କଳାପଟାରେ ଲିଖିତ ସାରେ ଜାହାଁ-ସେ ଆଚ୍ଛା ଗୀତର ଫକ୍ତି ନକଲ କରିବାକୁ କହନ୍ତି । ତେବେ ଗୋଟିଏ ଛୋଟ ଝିଅର ପେନସିଲ ଖାତାରେ ଅଟକି ଯାଏ । ମାତ୍ର କିଛି ଦିନ ପୂର୍ବେ ତାହାର ଏକ ସହପାଠୀ ଗଣଧର୍ଷଣର ଶୀକାର ହୋଇ ମୃତ୍ୟୁବରଣ କରିଥିବା ସ୍ମୃତି ସତେଜ ରହିଥାଏ । ସେ ଶିକ୍ଷୟତ୍ରୀଙ୍କ ଆଦେଶ ପାଳନ କରିପାରେ ନାହିଁ । ପେନସିଲ ମୁନ ଭାଙ୍ଗିଯାଏ ।


 

ସତ୍ୟକାମ ଦତ୍ତଙ୍କ ୮ ମିନଟର ଡ଼କ୍ୟୁମେଣ୍ଟରି ‘ଫାଇଣ୍ଡିଙ୍ଗ ବିଉଟି ଇନ ଗାର୍ବେଜ’ ଆସାମର ଦିବ୍ରୁଗଡ଼ ସହରର ରାସ୍ତାଘାଟରେ ବିଚ୍ଛୁରିତ ଅଳିଆ-ଆବର୍ଜନା ପ୍ରତି ଏକ କଟାକ୍ଷ । ଏଣେ ତେଣେ ବର୍ଜବସ୍ତୁ ଫୋପାଡ଼ିବାରେ ଚ଼ା-ରାଜଧାନୀର ନାଗରିକମାନେ ଯେପରି ଅଭ୍ୟସ୍ତ ସେଭଳି ସ୍ଥାନୀୟ ପୌରପାଳିକା ମଧ୍ୟ ଉଦାସୀନ । ଦିବ୍ରୁଗଡ଼ଭଳି ଭାରତର ଛୋଟବଡ଼ ସହରରେ ସ୍ୱଚ୍ଛତାକୁ ନେଇ ସର୍ଟ ଫିଲ୍ମଟି ଏକ ପ୍ରଶ୍ନବାଚ଼ୀ ।


 

‘ସାଉଥ ଏସିଆନ ସର୍ଟ ଫିଲ୍ମ ଫେଷ୍ଟିଭଲ’ର ଦ୍ୱିତୀୟ ସଂସ୍କରଣଲାଗି ଚଳଚ଼ିତ୍ର ପ୍ରଦର୍ଶନ ପଶ୍ଚିମବଙ୍ଗ ସରକାରଙ୍କ ସୂଚ଼ନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପରିଚ଼ାଳିତ ନନ୍ଦନ-୩ୟ ପ୍ରେକ୍ଷାଳୟରେ ଆୟୋଜିତ ହୋଇଥିଲା । ନନ୍ଦନରେ ସାଂସ୍କୃତିକ ପରିବେଶ ସୃଷ୍ଟି ଲାଗି ପ୍ରେକ୍ଷାଳୟ, ଆର୍ଟଗ୍ୟାଲେରୀ ଓ ସଭାଗୃହର ବ୍ୟବସ୍ଥା ଉଚ୍ଚକୋଟୀର । ସେଠି ପହଞ୍ଚିଲାବେଳେ ଭୁବନେଶ୍ୱର ଜୟଦେବଭବନରେ ଏଭଳି ପରିବେଶର ଅଭାବ ବ୍ୟଥିତ କରିଥାଏ । ନନ୍ଦନର ୩ୟ ପ୍ରେକ୍ଷାଳୟରେ ଦର୍ଶକ ସିଟ ସଂଖ୍ୟା ପ୍ରାୟ ୧୫୦ । ସର୍ଟ ଫିଲ୍ମ ଫେଷ୍ଟିଭାଲ ମଧ୍ୟାହ୍ନ ୧୨ରୁ ରାତି ୮ ଯାଏଁ ଅନବରତ ଚ଼ାଲିଥାଏ । ଅନେକ ସମୟରେ ଦର୍ଶକ ସଂଖ୍ୟା ୫୦ ରୁ ୭୫ ମଧ୍ୟରେ ହିଁ ସୀମିତ ରହୁଥିଲା । ଏଭଳି ଆୟୋଜନଲାଗି ସଂଗଠକଙ୍କ ଧୈର୍ଯ୍ୟ ପ୍ରଶଂସାର୍ହ ।           


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ମାର୍ଚ୍ଚ ୨୦୧

‘ଗୀତିଛାୟା’ରେ ସ୍ମୃତି ରୋମନ୍ଥନ

ରାଜ୍ୟ ଚଳଚ଼ିତ୍ର ସାମ୍ୱାଦିକ ମଞ୍ଚ (ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ) ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ୪ ରୁ ୧୯ ଅକ୍ଟୋବର ଏକ ପକ୍ଷ ଧରି ‘ଗୀତିଛାୟା’ ଶୀର୍ଷକ ଏକ ଆଲୋକଚ଼ିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏଥିରେ ୧୯୫୦ ରୁ ୮୬ ମଧ୍ୟରେ ପ୍ରଯୋଜିତ କେତେକ ଓଡ଼ିଆ ଚଳଚ଼ିତ୍ରର ସଂଗୀତ ବୈଠକୀ ବା ସ୍ୱରସଂଯୋଜନା ତଥା ରିହରସାଲ ସେସନ ଏବଂ ରେକଡ଼ିଂ ସମନ୍ଧିତ ଆଲୋକଚ଼ିତ୍ର ପ୍ରଦର୍ଶିତ ହୋଇଥିଲା । ଭୁବନେଶ୍ୱରର ସାଂସ୍କୃତିକ ଉତ୍ସବ ଅନୁଷ୍ଠାନଗୁ଼ଡ଼ିକରେ ମୋର ଉପସ୍ଥିତି ସଂଭବପର ନ ହୋଇପାରୁଥିବା ବେଳେ ଆକସ୍ମିକଭାବେ ଏହି ପ୍ରଦର୍ଶନୀ ଉପଭୋଗର ସୁଯୋଗ ଯୁଟିଥିଲା ।


 

୧୯୭୫ ମସିହାରେ ମୋର ଜ୍ୟେଷ୍ଠଭ୍ରାତା ଗଣେଶ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ‘ସମୟ’ ନାମକ ଏକ ଓଡ଼ିଆ ଚଳଚ଼ିତ୍ର ପ୍ରଯୋଜିତ ହୋଇଥିଲା । ସେତେବେଳକୁ ମୁଁ ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟରେ ଇଂଲିଶ ସ୍ନାତକୋତ୍ତର ଶ୍ରେଣୀର ଛାତ୍ର । ମୁମ୍ୱାଇରେ ନିର୍ମିତ ଏହି ଚଳଚ଼ିତ୍ରର ବ୍ୟବସ୍ଥାପନା ବା ପ୍ରୋଡ଼େକସନରେ ମୁଁ ସହଯୋଗ କରିଥିଲି । ‘ଗୀତିଛାୟା’ର ଆୟୋଜକ ସୂର୍ଯ୍ୟ ଦେଓ ‘ସମୟ’ର ଗୀତ ରେକଡ଼ିଂ ସମୟର ଆଲୋକଚ଼ିତ୍ର ସନ୍ଧାନରେ ଗତ ଅଗଷ୍ଟ ମାସରେ ଟେଲିଫୋନ କରିଥିଲେ । ଫେସବୁକ ମଞ୍ଚରେ ଧାରାବାହିକଭାବେ ‘ଗୀତିଛାୟା’ ଆୟୋଜନର ଧାରାବିବରଣୀ ପୋଷ୍ଟିଂ କରାଯାଉଥିବା ହେତୁ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ଅବଗତ ଥିଲି । ତେବେ ଏଭଳି ପ୍ରଦର୍ଶନୀ ଯେ ମୋତେ ଦେଖିବାକୁ ମିଳିବ ଆଶା ନଥିଲା ।


 

ଏଥି ପୂର୍ବରୁ ସୂର୍ଯ୍ୟ ଦେଓ ‘ସମୟ’ର ପୁନଃ ପ୍ରଦର୍ଶନ ତଥା ତତ୍ ସଂପର୍କୀୟ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଏବଂ ସେଥିରେ ଯୋଗଦେବା ନିମନ୍ତେ ଅନୁରୋଧ କରିଥିଲେ । ତେବେ ଅଧୁନା ପ୍ରଚଳିତ ସମ୍ୱର୍ଦ୍ଧନାଭଳି କାର୍ଯ୍ୟକ୍ରମରେ ମୁଁ ରୁଚି ରଖୁନଥିବା ତଥା ଏଥିଲାଗି ଭୁବନେଶ୍ୱର ଯାତ୍ରା କରିବାରେ କୁଣ୍ଠିତ ଥିବା ହେତୁ ଅମଙ୍ଗ ହୋଇଥିଲି । ସିଧାସଳଖ ଟେଲିଫୋନ କଥୋପକଥନରେ ଅନୁରୋଧ ପ୍ରତ୍ୟାଖ୍ୟାନର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଯାଇ ପତ୍ର ଜରିଆରେ ମୋର ଅସମର୍ଥତା ଜଣାଇ ଦେଇଥିଲି ।


 

କିନ୍ତୁ ‘ଗୀତିଛାୟା’ କାର୍ଯ୍ୟକ୍ରମ ଆୟୋଜନ ପ୍ରତି ମୋର ପୂର୍ଣ୍ଣ ସମର୍ଥନ ରହିଥିଲା । ମୋ’ ବିଚ଼ାରରେ ତିନୋଟି ଦିଗରୁ ଏଭଳି ପ୍ରଦର୍ଶନୀ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ ଏହା ଓଡ଼ିଆ ସାସ୍କୃତିକ ଚେତନା ବିକାଶରେ ପର୍ଯ୍ୟବେସିତ । ଦ୍ୱିତୀୟତଃ ବିଗତ ଦିନର ସ୍ମୃତି ରୋମନ୍ଥନ ସମକାଳରେ ପ୍ରତିଭାଧରଙ୍କୁ ପ୍ରୋତ୍ସାହିତ କରିଥାଏ । ତୃତୀୟତଃ ଗତାନୁଗତିକଧାରାରେ ସାସ୍କୃତିକ ଉତ୍ସବ ଆୟୋଜନରୁ ବିଚ୍ୟୁତ ହୋଇ ଏକ ସୃଜନାତ୍ମକ ଅବକାଶ ସୃଷ୍ଟି କରିଥାଏ ।


 

ପ୍ରଦର୍ଶନୀରେ ୮୧ଗୋଟି ବି-୩ ସାଇଜର ବ୍ରୋମାଇଡ଼ ପେପରରେ କଳା ଓ ଧଳା ଆଲୋକଚ଼ିତ୍ର ସ୍ଥାନ ପାଇଥିଲା । ବିଭିନ୍ନ ଚଳଚ଼ିତ୍ର ପ୍ରଯୋଜନା ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କଠାରୁ ଦୀର୍ଘ ଦିନର ପ୍ରଚ଼େଷ୍ଟାରେ ସଂଗୃହୀତ ଫୋଟୋଚ଼ିତ୍ର ସାଙ୍ଗକୁ ଓଡ଼ିଆ ସମ୍ୱାଦପତ୍ରରେ ପ୍ରକାଶିତ ହାଫଟୋନ ବ୍ଳକର ରିଟଚଡ଼ ରିପ୍ରୋଡ଼େକସନରେ ପ୍ରଦର୍ଶିତ ଚ଼ିତ୍ରଗୁଡ଼ିକ ପ୍ରସ୍ତୁତ ହୋଇଥିଲା । ସଂଗ୍ରହାଳୟ ମୁଖ୍ୟ ପ୍ରବେଶଦ୍ୱାରଦେଶଠାରୁ ତଳମହଲାରେ ପ୍ରଦର୍ଶନୀ ମଣ୍ଡପ ଯାଏଁ ଅତୀତଦିନର ଓଡ଼ିଆ ଚଳଚ଼ିତ୍ରର ସ୍ମୃତି ସମ୍ବଳିତ ଚିତ୍ରାବଳୀ ସାଙ୍ଗକୁ ପୁରାତନ ଚଳଚ଼ିତ୍ର ଗୀତଗୁଡ଼ିକର ଧ୍ୱନୀ ବେଶ ଏକ ରୋମାଞ୍ଚକର ପରିବେଶ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା ।


 

ଦଶବର୍ଷ ପୂର୍ବେ ସେ ସମୟରେ ସଂବାଦପତ୍ର ପ୍ରସାର ବୃଦ୍ଧି ଦିଗରେ ସଂଘର୍ଷ ଜାରିରଖିଥିବା ‘ସମ୍ବାଦ’ ପକ୍ଷରୁ ‘ମେଟ୍ରୋ ରିପୋର୍ଟିଂ’ ସଂପର୍କରେ ଆୟୋଜିତ ଦୁଇଦିନିଆ କର୍ମଶାଳାରେ ମୁଁ ଯୋଗ ଦେଇଥିଲି । ସେଥିରେ ସୂର୍ଯ୍ୟ ଦେଓ ସଂପୃକ୍ତ ସମ୍ବାଦପତ୍ରର ଅନ୍ୟ ବରିଷ୍ଠ ସାମ୍ୱାଦିକଙ୍କ ସହ ଅଂଶ ଗ୍ରହଣ କରିଥିଲେ । ତାହା ପ୍ରଥମ ପରିଚ଼ିତି । ୧୯୮୪-୮୫ ବେଳକୁ ‘ଜନନୀ’ ନାମକ ଏକ ମାସିକ ପତ୍ରିକା ମୁଁ ସମ୍ପାଦନା ଓ ପ୍ରକାଶନ କରୁଥିଲି । ପ୍ରତି ସଂଖ୍ୟାରେ ଚଳଚ଼ିତ୍ର ସଂପର୍କରେ ତିନିଚ଼ାରି ପୃଷ୍ଠା ସନ୍ନିବେଶିତ ହେଉଥିଲା ଏବଂ ଅଫସେଟରେ ମୁଦ୍ରଣ ଯୋଗୁଁ ସେ ସମୟର ଅନ୍ୟ ପତ୍ରିକାଗୁଡ଼ିକରେ ପ୍ରକାଶିତ ହାଫଟୋନ ବ୍ଳକଗୁଡ଼ିକର ଛାପାଠାରୁ ଉତ୍କଷ୍ଟମାନ ରହୁଥିଲା । ସୂର୍ଯ୍ୟ ଦେଓ ପୁରୁଣା ‘ଜନନୀ’ର ସେଟଟିଏ ଚାହିଁଥିଲେ । ମୁଁ ହଁ ଭରିଥିଲେ ହେଁ ଆଳସ୍ୟବଶତଃ ସବୁଗୁଡ଼ିକ ଏକତ୍ରୀତ କରି ଡ଼ାକଯୋଗେ ପ୍ରେରଣ କରିପାରି ନଥିଲି । ବିଭିନ୍ନ ସୂତ୍ରରେ ମନେପକାଇ ପାଞ୍ଚବର୍ଷ ପରେ ଟେଲିଭିଜନ ଚ୍ୟାନେଲ ‘ତରଙ୍ଗ’ରେ କାର୍ଯ୍ୟରତ ମୋର ଜଣେ ପୁରାତନ ଛାତ୍ରୀଙ୍କ ଜରିଆରେ ପତ୍ରିକାର ପୁରାସେଟଟିଏ ବ୍ରହ୍ମପୁରରୁ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ । ଏଭଳି ଉଦ୍ୟମକୁ ପ୍ରକାଶ୍ୟରେ ପ୍ରଶଂସା କରିବାରେ ଦ୍ୱିଧା ନାହିଁ ।


 

କହିବା ବାହୁଲ୍ୟ ଯେ ‘ଗୀତିଛାୟା’ ଆୟୋଜନର ମୂଳଉତ୍ସ ମୋ’ ଜାଣିବାରେ ଜଣେ ସାମ୍ୱାଦିକଙ୍କ ଅନ୍ତତଃପକ୍ଷେ ଦଶ ବର୍ଷର ଉଦ୍ୟମର ଇତିହାସ । ଚ଼ାନ୍ଦା ସଂଗ୍ରହକରି ଅନୁଗତଙ୍କୁ ପ୍ରଶସ୍ତିପତ୍ର ବାଣ୍ଟିବା ସଂସ୍କୃତିର ଭିଡ଼ରେ ଏଭଳି ପ୍ରଚ଼େଷ୍ଟା ବ୍ୟତିକ୍ରମ । ସାଂସ୍କୃତିକ ଧାରାରେ ଗୁଣାତ୍ମକ ବିକାଶ ନିମନ୍ତେ ଅପସଂସ୍କୃତି ସମୀକ୍ଷାଠାରୁ ଦୂରେଇ ରହି ସୃଜନଶୀଳତାକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ ।


 

ପ୍ରଦର୍ଶନୀକୁ ମୁଁ ବ୍ୟକ୍ତିଗତ ଭାବେ ନିମନ୍ତ୍ରିତ ହୋଇ ନଥିଲି କିମ୍ୱା ପ୍ରଦର୍ଶନୀ ଉଦ୍ଦେଶ୍ୟରେ ମୁଁ ସଂଗ୍ରାହଳୟ ଯାଇନଥିଲି । ସେଠି ପହଞ୍ଚିଲାପରେ ପୋଷ୍ଟର ଦେଖି ପ୍ରଦର୍ଶନୀ କଥା ମନେ ପଡ଼ିଯାଇଥିଲା । ପ୍ରଦର୍ଶନୀରେ ସୂର୍ଯ୍ୟ ଦେଓ ଉପସ୍ଥିତ ଥିଲେ । ତେବେ ମୁଁ ତାଙ୍କୁ ଚ଼ିହ୍ନିପାରିଲିନି କିମ୍ୱା ସେ ମୋତେ ଚ଼ିହ୍ନିପାରିଲେନି । ଜଣେ ବନ୍ଧୁ ପରିଚ଼ୟ କରାଇଦେଲେ ।


 

ସେ ମୋତେ ପ୍ରଦର୍ଶନୀ ବୁଲାଇ ଦେଖାଇଥିଲେ । ପୁରୁଣା ଦିନ ସଂପର୍କରେ ପଚ଼ାରି ବୁଝିଥିଲେ । ପ୍ରଦର୍ଶିତ ଆଲୋକ ଚ଼ିତ୍ରଗୁଡ଼ିକୁ ଡ଼ିଜିଟାଲ ରୂପାନ୍ତକରଣ ପରେ ରାୟପୁରରେ ପ୍ରିଣ୍ଟ କରାଇଥିବା କହିଥିଲେ । ଗୁଣାତ୍ମକ ଦୃଷ୍ଟିରୁ ସେଗୁଡ଼ିକ ବେଶ ଉନ୍ନତ । ପ୍ରଦର୍ଶନୀ ପରେ ପ୍ରସ୍ତାବିତ ଡ଼ିଜିଟାଲ ଏକାଡ଼େମୀ ସଂଗୃହୀତ ଆଲୋକଚ଼ିତ୍ରଗୁଡ଼ିକର ସତ୍ତ୍ୱଗ୍ରହଣ କରିବ ବୋଲି ଜଣାଇଥିଲେ । ଏହା ଏକ ଉତ୍ତମ ନିଷ୍ପତ୍ତି ।


 

‘ଗୀତିଛାୟା’ ଆୟୋଜନ ପାଇଁ ସଂସ୍କୃତି ବିଭାଗ ଆୟୁକ୍ତ ତଥା ଶାସନ ସଚ଼ିବ ମନୋରଞ୍ଜନ ପାଣିଗ୍ରାହୀ ଓ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧ୍ୟକ୍ଷ ଡ଼କ୍ଟର ଜୟନ୍ତୀ ରଥ ଧନ୍ୟବାଦର ପାତ୍ର । ବିଦେଶରେ ସର୍ଜନଶୀଳତା ବିକାଶ ଦିଗରେ ସଂଗ୍ରହାଳୟଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଆମ ରାଜ୍ୟ ସଂଗ୍ରହାଳୟ ପ୍ରଦର୍ଶନୀ ସାଙ୍ଗକୁ ସାଂସ୍କୃତିକ ଉତ୍ସବାନୁଷ୍ଠାନ ଆୟୋଜନ ପାଇଁ ଦ୍ୱାର ମୁକ୍ତ ରଖି ନୂତନତ୍ୱ ଉନ୍ମେଷରେ ସହାୟକ ହେଉ । ସଂଗ୍ରାହଳୟର ଅବସ୍ଥିତି ଓ ପ୍ରଶସ୍ତ ପ୍ରାଙ୍ଗଣ ରାଜଧାନୀ କାହିଁକି ଅନ୍ୟ ସହରଗୁଡ଼ିକରେ ମଧ୍ୟ ଦୁର୍ଲଭ । ଅବଶ୍ୟ ଏଥିଲାଗି ଥରେ ନୀତିଗତ ନିଷ୍ପତି ପରେ ଏଭଳି ସୁବିଧା ସୁଯୋଗ ହାସଲ କରିବା ନିମନ୍ତେ ଅପାତ୍ରଙ୍କ ଅନୁପ୍ରବେଶର ଭୟ ରହିଛି ସତ, କିନ୍ତୁ ତାହା ରୋକିବାକୁ ପ୍ରଶାସକମାନେ ସମର୍ଥ ହୋଇପାରିବେ ।

 


ଏଥିପୂର୍ବରୁ ଚଳଚ଼ିତ୍ର ସାମ୍ୱାଦିକ ମଞ୍ଚ ପକ୍ଷରୁ ୧୯୩୬ ରୁ ୮୬ ମଧ୍ୟରେ ପ୍ରଯୋଜିତ ଓଡ଼ିଆ ଚଳଚ଼ିତ୍ରଗୁଡ଼ିକର ୮୦ ଗୋଟି ପୋଷ୍ଟରର ପ୍ରଦର୍ଶନୀ ‘ଛାୟା ପ୍ରତିଛାୟା’ ଆୟୋଜିତ ହୋଇଥିଲା । ଏହି ଦୁଇ ପ୍ରଦର୍ଶନୀ ଅନ୍ତତଃ ପକ୍ଷେ ରାଜ୍ୟର ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯଦି ତିନିଦିନ ଲେଖା ଛଅଦିନ ଆୟୋଜନର ପଦକ୍ଷେପ ଗ୍ରହଣ କରାଯାଇପାରନ୍ତା ତେବେ ଆଗାମୀ ପିଢ଼ିର ଓଡ଼ିଆ ଯୁବକଯୁବତୀମାନଙ୍କ ମଧ୍ୟରୁ ଏକାଂଶଙ୍କୁ ଓଡ଼ିଆ ଚଳଚ଼ିତ୍ରର ଗୌରବମୟ ଐତିହ୍ୟ ସଂପର୍କରେ ଅବଗତ କରାଇବାର ଅବକାଶ ସୃଷ୍ଟି ସମ୍ଭବପର । ପ୍ରଦର୍ଶନୀ ସାଙ୍ଗକୁ କିଛି ଓଡ଼ିଆ ଚଳଚ଼ିତ୍ର ପ୍ରଦର୍ଶନ ଓ ସ୍ଥାନୀୟ ଆଲୋଚକଙ୍କ ଅଂଶଗ୍ରହଣରେ ଓଡ଼ିଆ ଚଳଚ଼ିତ୍ର ସଂପର୍କରେ ଏକ ଏକ ପାଠଚ଼କ୍ର ଆୟୋଜନ ‘ଓଡ଼ିଆ ଚଳଚ଼ିତ୍ର ସପ୍ତାହ’କୁ ରସବନ୍ତ କରିପାରନ୍ତା । ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଦର୍ଶନୀ ଆୟୋଜନର ଆନୁସାଙ୍ଗିକ ସୁବିଧା ସୁଯୋଗ ଥାଏ ଏବଂ ଆୟୋଜିତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଶାରଦଙ୍କୁ ନିମନ୍ତ୍ରଣ କରି  ଓଡ଼ିଆ ଚଳଚ଼ିତ୍ର ଗତିପ୍ରକୃତି ସଂପର୍କରେ ଆଲୋଚ଼ନା ସେଠାରେ ବୌଦ୍ଧିକ ପରିବେଶ ସୃଷ୍ଟିରେ ସହାୟକ ହୋଇପାରନ୍ତା । ସମସାମୟିକ ଗଣମାଧ୍ୟମ କ୍ରମଶଃ ଦୃଶ୍ୟକେନ୍ଦ୍ରୀକ ଭିଡ଼ିଓ ଆନ୍ଦୋଳନ ଆଡ଼କୁ ମୁହାଁଉଥିବା ବେଳେ ଏଭଳି ଉଦ୍ୟମ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ ।            


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଅକ୍ଟୋବର ୨୦୧

ରାଇଟିଂ ଉଇଥ ଫାଏର

ହଲିଉଡ଼ଭିତ୍ତିକ ‘ଏକାଡ଼େମୀ ଅଫ ମୋସନ ପିକଚର ଆର୍ଟ୍ସ ଏଣ୍ଡ ସାଇନସେସ’ର ୯୪ତମ ବାର୍ଷିକ ଚଳଚ଼ିତ୍ର ପୁରସ୍କାର ୨୦୨୨ ପ୍ରତିଯୋଗିତାରେ ‘ଡକ୍ୟୁମେଣ୍ଟରୀ ଫିଚ଼ର’ ବର୍ଗରେ ଭାରତ ନିର୍ମିତ ଚଳଚ଼ିତ୍ର ‘ରାଇଟିଂ ଉଇଥ ଫାଏର’ ମନୋନୀତ ‘ନୋମିନେଟ’ ହୋଇଛି । ସାଧାରଣରେ ‘ଓସ୍କାର’ ପୁରସ୍କାର ରୂପେ ପରିଚିତ ପ୍ରତିଯୋଗିତାରେ ପ୍ରାମାଣିକ ଚଳଚ଼ିତ୍ର ଭାବେ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବା ଏହା ପ୍ରଥମ ଭାରତୀୟ ଚଳଚ଼ିତ୍ର । ଓସ୍କାର ପୁରସ୍କୃତ ସଙ୍ଗେ ଶେଷ ପର୍ଯ୍ୟାୟ ମନୋନୟନକୁ ମଧ୍ୟ ସମ୍ମାନଜନକ ବିଚାର କରାଯାଏ । ବିଗତ ୯୩ ବର୍ଷର ଇତିହାସରେ ତେର ଜଣ ଭାରତୀୟ ବିଭିନ୍ନ ବର୍ଗରେ ଚୂଡ଼ାନ୍ତ ପ୍ରତିଯୋଗିତାକୁ ମନୋନୀତ ହୋଇଥିବା ସ୍ଥଳେ ଆଠଜଣ ପୁରସ୍କୃତ ହୋଇଛନ୍ତି ।


 

ଆନ୍ତର୍ଜାତିକସ୍ତରରେ ‘ଏକାଡ଼େମୀ ଅଫ ମୋସନ ପିକଚ଼ର ଆର୍ଟ୍ସ ଏଣ୍ଡ ସାଇନସେସ’ ଗୁଣାତ୍ମକ ଚଳଚ଼ିତ୍ର ଚୟନ କ୍ଷେତ୍ରରେ ପ୍ରସିଦ୍ଧ । କ୍ରମାଗତଭାବେ ୧୯୨୯ ମସିହାରୁ ଦୀର୍ଘ ନଅ ଦଶନ୍ଧିରୁ ଅଧିକ ସମୟ ଧରି ଏହାର ବାର୍ଷିକ ପୁରସ୍କାର ସର୍ବତ୍ର ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥାଏ । ଏକାଡ଼େମୀ ପୁରସ୍କାର ଅନୁଷ୍ଠାନର ସଦସ୍ୟମାନଙ୍କ ଭୋଟ ଦ୍ୱାରା ନିର୍ବାଚନ କରାଯାଏ । ସେମାନଙ୍କ ପାଇଁ ସମସ୍ତ ଚଳଚ଼ିତ୍ର ପ୍ରଦର୍ଶନର ବ୍ୟବସ୍ଥା ହୋଇଥାଏ । ପ୍ରେକ୍ଷାଳୟ ପ୍ରଦର୍ଶନ ବ୍ୟତୀତ ମହାମାରୀରୁ ଡିଜିଟାଲ ଷ୍ଟ୍ରୀମିଂର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏକାଡ଼େମୀରେ ୨୦୧୮ ସୁଦ୍ଧା ସାତ ହଜାର ସଦସ୍ୟ ରହିଥିଲେ । ଚଳଚ଼ିତ୍ର ଶିଳ୍ପର ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏକାଡ଼େମୀ ପକ୍ଷରୁ ସଦସ୍ୟ ପଦ ଗ୍ରହଣ କରିବା ନିମନ୍ତେ ନିମନ୍ତ୍ରଣ କରାଯାଇଥାଏ । ପ୍ରତିବର୍ଷ କିଛି ନୂତନ ସଦସ୍ୟ ସାମିଲ ହୋଇଥାନ୍ତି ।


 

ଓସ୍କାର ପୁରସ୍କାର ନିମନ୍ତେ ଡକ୍ୟୁମେଣ୍ଟରୀ ଫିଚ଼ର ବର୍ଗରେ ‘ରାଇଟିଂ ଉଇଥ ଫାଏର’ ଅନ୍ୟ ଚାରିଗୋଟି ଚଳଚ଼ିତ୍ର ସହ ମୁକାବିଲା କରିବ । ‘ରାଇଟିଂ ଉଇଥ ଫାୟର’ ଭାରତର ଉତ୍ତର ପ୍ରଦେଶ ତଥା ପଡ଼ୋଶୀ ରାଜ୍ୟଗୁଡ଼ିକରେ ପ୍ରସାରିତ ‘ଖବର ଲହେରିୟା’ ସମ୍ୱାଦପତ୍ରର ବିବରଣୀ ଲିପିବଦ୍ଧ ହୋଇଥିବା ସ୍ଥଳେ ଅନ୍ୟ ତିନିଗୋଟି ମଧ୍ୟରୁ ଚୀନରେ ପ୍ରଯୋଜିତ ‘ଆସେନସନ’ ସେଠାକାର ଜନଜୀବନରେ କର୍ମ ସଂସ୍କୃତି ଆଲୋଚ଼ିତ । ସେହିପରି ଯୁକ୍ତରାଷ୍ଟ୍ର ଆମେରିକାର ‘ଆଟିକା’ ଚଳଚ଼ିତ୍ରରେ ୧୯୭୧ରେ ଏକ କାରାଗାରରେ ସଂଘର୍ଷର କାହାଣୀ ଓ ‘ସମର ଅଫ ସୋଲ’ ମାର୍କିନ କୃଷ୍ଣକାୟ ବସତିରେ ଆୟୋଜିତ ୧୯୬୯ ‘ହେରଲମ କଲଚ଼ରାଲ ଫେଷ୍ଟିଭାଲ’ର ବିବରଣୀ ଉପସ୍ଥାପିତ । ଡ଼େନମାର୍କର ‘ଫ୍ଳି’ରେ ଜଣେ ବ୍ୟକ୍ତି ବିବାହ ବେଳେ ଶୈଶବରେ ଜଣେ ଶାରଣାର୍ଥୀ ରୂପେ ଦେଶକୁ ପହଞ୍ଚି ଥିବା ଜାଣିବାକୁ ପାଇବାପର ନାଟକୀୟ ଘଟଣାକ୍ରମ ଏନିମେସନ ମାଧ୍ୟମରେ ପ୍ରଦର୍ଶିତ ।


 

‘ରାଇଟିଂ ଉଇଥ ଫାଏର’ ସୁସ୍ମିତ ଘୋଷ ଓ ରିଣ୍ଟୁ ଥୋମାସଙ୍କ ଦ୍ୱାରା ପ୍ରଯୋଜିତ ଓ ନିର୍ଦ୍ଦେଶିତ । ଉଭୟ କେରଳଭିତ୍ତିକ ଏବଂ ନୂଆଦିଲ୍ଲୀରେ ବସବାସ କରନ୍ତି । ହିନ୍ଦୀ ଭାଷାରେ ୯୪ ମିନଟ ଅବଧିର ପ୍ରାମାଣିକ ଚ଼ିତ୍ରଟି ‘ସନଡ଼େନ୍ସ’ ଚଳଚ଼ିତ୍ର ଉତ୍ସବରେ ୩୦ ଜାନୁୟାରୀ ୨୦୧୧ରେ ପ୍ରଦର୍ଶିତ ହୋଇ ‘ସ୍ପେଶାଲ ଜୁରି’ ଓ ‘ଅଡ଼ିଏନ୍ସ ଏୱାଡ଼’ ଦୁଇଗୋଟି ପୁରସ୍କାର ପାଇଥିଲା । ପରବର୍ତ୍ତୀ ବର୍ଷକ ମଧ୍ୟରେ ବିଶ୍ୱବ୍ୟାପୀ ଆୟୋଜିତ ୧୨୦ ଗୋଟି ଚଳଚ଼ିତ୍ର ଉତ୍ସବରେ ଅଂଶଗ୍ରହଣ କରିଥିଲା ।


 

‘ରାଇଟିଂ ଉଇଥ ଫାୟର’ ଅନୁଶୀଳନ ତିନିଗୋଟି ଦିଗରୁ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ, ପ୍ରାମାଣିକ ଚଳଚ଼ିତ୍ରଟି ଓସ୍କାର ପୁରସ୍କାର ନିମନ୍ତେ ମନୋନୀତ ହୋଇଛି । ଦ୍ୱିତୀୟତଃ, ବିଶ୍ୱବ୍ୟାପୀ ସାମ୍ୱାଦିକତାର ଭୂମିକାକୁ ନେଇ ଚର୍ଚ୍ଚା ଚାଲିଥିବା ଅବସରରେ ଭାରତୀୟ ସମାଜରେ ଅବହେଳିତ ବର୍ଗ ମହିଳାମାନଙ୍କ ଦ୍ୱାରା ଗୁଣାତ୍ମକ ସାମ୍ୱାଦିକତା ବିକାଶଲାଗି ଉଦ୍ୟମ ଚଳଚ଼ିତ୍ରଟିର ବିଷୟବସ୍ତୁ । ତୃତୀୟତଃ, ସମ୍ୱାଦ ମଞ୍ଚଗୁଡ଼ିକ ପାରମ୍ପରିକ ଆଙ୍ଗିକ ପରିବର୍ତ୍ତନ କରି ଡିଜିଟାଲ ମୁହାଁ ହେଉଥିବା ସମୟରେ ସେଥିରେ ଗ୍ରାମୀଣ ପରିବେଶରେ ନୂତନ ମାଧ୍ୟମ ପ୍ରଯୋଜନା, ପ୍ରସାରଣ ଓ ଉପଭୋକ୍ତାଙ୍କ ଗ୍ରହଣୀୟତାର ମୂଲ୍ୟାୟନ ସମୟ ଉପଯୋଗୀ ମନେ ହୁଏ ।


 

ଦିଲ୍ଲୀର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ନିରନ୍ତର ଟ୍ରଷ୍ଟ’ ପ୍ରୋତ୍ସାହନରେ ଉତ୍ତର ପ୍ରଦେଶ ବୁଲେନ୍ଦଖଣ୍ଡ ଅଞ୍ଚଳର ଚ଼ିତ୍ରକୂଟଠାରେ ଦଳିତ ମହିଳାମାନଙ୍କ ଦ୍ୱାରା ୨୦୦୨ରୁ ଏକ ମୁଦ୍ରିତ ଗ୍ରାମ୍ୟ ସମ୍ୱାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିଲା । ଅଭିଜ୍ଞ ସାମ୍ୱାଦିକମାନଙ୍କ ତତ୍ତ୍ୱାବଧାନ ‘ମେନଟରସିପ’ରେ ସ୍ଥାନୀୟ ମହିଳାମାନେ ସମ୍ୱାଦ ସଂଗ୍ରହ, ସମ୍ପାଦନା, ପୃଷ୍ଠାସଜ୍ଜା, ମୁଦ୍ରଣ ତତ୍ତ୍ୱାବଧାନ ଓ ପ୍ରସାରଣ ଦାୟିତ୍ୱ ସଂଭାଳିଥାନ୍ତି । ସମ୍ପାଦନା ଓ ପ୍ରକାଶନ କାର୍ଯ୍ୟ ଛଅ ଜଣ ମହିଳା ତୁଲାଉଥିବା ବେଳେ ପ୍ରାୟ ୨୫ ଜଣ ମହିଳା ସମ୍ୱାଦଦାତା ସମ୍ୱାଦ ସଂଗ୍ରହ କରିଥାନ୍ତି । ମୁଦ୍ରିତ ସାପ୍ତାହିକୀର ପାଞ୍ଚ ହଜାର ଏବଂ ଡିଜିଟାଲ ମଞ୍ଚରେ ୟୁଟ୍ୟୁବ ଚ୍ୟାନେଲର ପାଞ୍ଚ ଲକ୍ଷ ଗ୍ରାହକ ହିସାବ କରାଯାଏ ।


 

‘ଖବର ଲହେରିୟା’ ୧୪ ବର୍ଷ ଧରି ମୁଦ୍ରିତ ସମ୍ୱାଦପତ୍ର ଆକାରରେ ପ୍ରକାଶିତ ହେବା ପରେ ଉନ୍ନତ ସାମ୍ୱାଦିକତା ପରିବେଶରେ ଡିଜିଟାଲ ପରିବର୍ତ୍ତନକୁ ଆଧାର କରି ୨୦୧୩ରେ ନିଜର ୱେବସାଇଟ ଏବଂ ୨୦୧୬ରୁ ଡିଜିଟାଲ ସଂସ୍କରଣ ଆରମ୍ଭ କରିଥିଲା । ମୁଦ୍ରିତ ସମ୍ୱାଦପତ୍ରରୁ ସ୍ମାର୍ଟଫୋନଭିତ୍ତିକ ଡିଜିଟାଲ ମଞ୍ଚ ପ୍ରଯୋଜନାର କାହାଣୀ ‘ରାଇଟିଂ ଉଇଥ ଫାଏର’ ପ୍ରମାଣିକ ଚ଼ିତ୍ରରେ ଲିପିବଦ୍ଧ ହୋଇଛି । ‘ଖବର ଲହେରିୟା’ର ମୁଖ୍ୟ ମୀରା ଓ ଦୁଇଜଣ ସହଯୋଗୀ ସୁନୀତା, ଶ୍ୟାମକାଳୀଙ୍କ ସାମ୍ୱାଦିକତା ଅନୁଭୂତି ବୃତ୍ତଚ଼ିତ୍ରଟିର ମୂଳ ଭିତ୍ତି । ଗ୍ରାମୀଣ ପରିବେଶରେ ଅଳ୍ପ ଶିକ୍ଷିତ ମହିଳାମାନଙ୍କ ଦ୍ୱାରା ସମ୍ୱାଦ ମଞ୍ଚ ପରିଚାଳନା ତଥା ଦୃତ ପରିବର୍ତ୍ତନଶୀଳ ବୈଷୟିକ ପ୍ରଗତି ସହ ସମତାଳ ଦେଇ ଗତିର ଧାରାବିବରଣୀ ବର୍ଣ୍ଣିତ ।


 

ଭାରତ ଗ୍ରାମବହୁଳ ଏବଂ ଓଡ଼ିଶାରେ ଅଶୀ ପ୍ରତିଶତରୁ ଅଧିକ ପରିବାର ଗ୍ରାମାଞ୍ଚଳ ବାସିନ୍ଦା । ପାରମ୍ପରିକଭାବେ ମୁଦ୍ରଣ ସମ୍ୱାଦ ମଞ୍ଚ ଗ୍ରାମାଞ୍ଚଳ ସମ୍ୱାଦ ପରିବେଷଣ ଓ ପ୍ରସାରରେ ଆଶା ଅନୁରୂପକ ସଫଳତା ହାସଲ କରିପାରି ନଥିବା ସ୍ଥଳେ ଡିଜିଟାଲ ମଞ୍ଚ ନୂତନ ପ୍ରତିଶୃତି ବହନ କରେ । ସମ୍ୱାଦ ଆହରଣ ଓ ପ୍ରସାରଣ କ୍ଷେତ୍ରରେ ସମସ୍ତ ନାଗରିକଙ୍କୁ ସାମିଲ ହେବା ସୁଯୋଗ ସୃଷ୍ଟି ଲାଗି ଡିଜିଟାଲ ମଞ୍ଚରେ ବିଶ୍ୱବ୍ୟାପୀ ପରୀକ୍ଷାନିରୀକ୍ଷା ଚାଲିଛି । ଏହି ପରିବେଶରେ ‘ଖବର ଲହେରିୟା’ର କାର୍ଯ୍ୟଧାରା ବୃହତ ଦର୍ଶକଙ୍କଠାରେ ଉପଲବ୍ଧ କରାଇବାରେ ‘ରାଇଟିଂ ଉଇଥ ଫାଏର’ ଏକ ଉଲ୍ଲେଖନୀୟ ଭୂମିକା ବହନ କରିବା ସୁନିଶ୍ଚିତ । ବୃତ୍ତଚ଼ିତ୍ରଟି ‘ଓସ୍କାର’ ପୁରସ୍କାର ମନୋନୟନ ସୋପାନକୁ ଉନ୍ନୀତ ହେବାପରେ ଏହା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିବା ସମ୍ଭବ । ଗୁଣାତ୍ମକ ଗ୍ରାମୀଣ ସାମ୍ୱାଦିକତା ବିକାଶ ପଥରେ ଏହି ଉପକ୍ରମ ସ୍ୱାଗତଯୋଗ୍ୟ ।


 

ସୁସ୍ମିତ ଘୋଷ ଓ ରିଣ୍ଟୁ ଥୋମାସ ‘ରାଇଟିଂ ଉଇଥ ଫାଏର’ ଚିତ୍ର ଉତ୍ତୋଳନ ନିମନ୍ତେ ୨୦୧୬ରୁ ୨୦ ପାଞ୍ଚ ବର୍ଷ ବିନିଯୋଗ କରି ବାସ୍ତବ ସ୍ଥିତି ଲିପିବଦ୍ଧ କରିଥିଲେ । ତାଙ୍କରି ଟିମରେ ମାତ୍ର ତିନିଜଣ ସାମିଲ ହେଉଥିଲେ ଏବଂ ସୁଟିଂ ପାଇଁ ଏସଏଲଆର କ୍ୟାମେରା ବ୍ୟବହାର କରୁଥିଲେ । ସୁସ୍ମିତ ଓ ରିଣ୍ଟୁଙ୍କ ଡକ୍ୟୁମେଣ୍ଟରୀ ନିର୍ମାଣ ଅଭିଜ୍ଞତାରୁ ଆମ ରାଜ୍ୟର ଉଦୀୟମାନ ଚଳଚ଼ିତ୍ର ନିର୍ମାତାମାନେ କେତେକ ବିଷୟରେ ସ୍ପଷ୍ଟ ହୋଇ ପାରିବେ । ପ୍ରଥମତଃ, ଦୀର୍ଘ ସମୟ ଅବଧିରେ ଡ଼କ୍ୟୁମେଣ୍ଟରୀ ନିମନ୍ତେ ଚ଼ିତ୍ର ଉତ୍ତୋଳନ କଲେ ଆକର୍ଷଣୀୟ ଓ ନାଟକୀୟ ଦୃଶ୍ୟାବଳୀ ‘ଫୁଟେଜ’ ସଂଗ୍ରହ ସମ୍ଭବ । ଗୁଣାତ୍ମକ ଓ ବିଶ୍ୱସନୀୟ ଡକ୍ୟୁମେଣ୍ଟରୀ ନିମନ୍ତେ ଘଟଣାର ପ୍ରାମାଣିକ ତଥ୍ୟ ଉପସ୍ଥାପନ ପ୍ରାଥମିକତା ଦାବୀ କରିଥାଏ ।


 

ଦ୍ୱିତୀୟତଃ, ଡକ୍ୟୁମେଣ୍ଟରୀ ନିର୍ମାଣ ନିମନ୍ତେ ଖର୍ଚ୍ଚ ବହୁଳ ବଜେଟ ବଦଳରେ ଆଧୁନିକ କାରିଗରୀ କୌଶଳ ବ୍ୟବହାର ଯୁକ୍ତିଯୁକ୍ତ । ସୁସ୍ମିତ ପ୍ରଯୋଜନା ଓ ନିର୍ଦ୍ଦେଶନା ସହ ଚ଼ିତ୍ର ଉତ୍ତୋଳନ ଓ ସମ୍ପାଦନା ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ । ଡ଼କ୍ୟୁମେଣ୍ଟରୀ ନିର୍ମାତା ବହୁମୁଖୀ କଳା-କୌଶଳ ଆୟତ୍ତ କରିପାରିଲେ ଖର୍ଚ୍ଚ କାଟ ଓ ଗୁଣବତ୍ତା ବିକାଶ ସଂଭବ ।


 

ତୃତୀୟତଃ, ସର୍ଜନଶୀଳ ଡକ୍ୟୁମେଣ୍ଟରୀ ନିର୍ମାଣ ନିମନ୍ତେ ଓଡ଼ିଶାକେନ୍ଦ୍ରୀକ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ସ୍ୱାବଲମ୍ୱୀ ‘ସଷ୍ଟେନବଲ ମଡ଼େଲ’ ପ୍ରଣୟନ କରିବାକୁ ପଡ଼ିବ । ଉଦାହରଣରେ କୌଣସି ଶିଳ୍ପାୟନ ନିମନ୍ତେ ଅଞ୍ଚଳବାସୀ ପ୍ରତିରୋଧ କରୁଛନ୍ତି । ଏହି ସଂଗ୍ରାମ ଦୀର୍ଘ କାଳ ଚାଲିପାରେ । ଶେଷରେ ଫଳାଫଳ କ’ଣ ହେବ ଅଜଣା । ଏହି ବିଷୟବସ୍ତୁକୁ ନେଇ ଡକ୍ୟୁମେଣ୍ଟରୀ ପାଇଁ ଅର୍ଥ ନିବେଶ କରିବ କିଏ ? ନିର୍ଦ୍ଦେଶକ କେବଳ ବୃତ୍ତଚ଼ିତ୍ର ନିର୍ମାଣରେ ବ୍ୟସ୍ତ ରହିଲେ ଗୁଜାରଣ ମେଣ୍ଟାଇବେ କିପରି ?


 

ସରଳ ବିଚାରରେ ଦୁଇଗୋଟି ଉପାୟ ଉପଲବ୍ଧ । ଏକ ନ୍ୟାସ ସଂସ୍ଥା ଗଠନ କରି ନିର୍ଦ୍ଧାରିତ ବିଷୟରେ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ସହାୟତାଲାଗି ସାମୂହିକ ପାଣ୍ଠି ‘କ୍ରାଉଡ଼ ଫଣ୍ଡ’ ସଂଗ୍ରହ କିମ୍ୱା ପ୍ରଯୋଜକ ବାହାଘର ଭିଡ଼ିଓ ଫଟୋସୁଟ ଭଳି ବର୍ତ୍ତମାନ ପାଇଁ ଅର୍ଥକାରୀ ବ୍ୟବସାୟରେ କିଛି ସମୟ ବିନିଯୋଗ କରି ଉପାର୍ଜନରେ ନିଜ ସୃଜନ ଜୀବନକୁ ପରିପୃଷ୍ଟ କରିପାରିବେ । ଏହା ଅପ୍ରୀତିକର ବୋଧ ହେଉଥିଲେ ହେଁ ଏହାହିଁ ସ୍ଥାନୀୟ ବାସ୍ତବତା । ପବ୍ଳିକ ରିଲେସନ, ଏଜୁକେସନନାଲ ଓ କର୍ପୋରେଟ ଭିଡ଼ିଓ ନିର୍ମାଣରେ ରୋଜଗାର ସମ୍ଭବ ଥିଲେ ହେଁ ଏଥିରେ ସୃଜନ ଅପେକ୍ଷା ମାର୍କେଟିଂରେ ଉଭୟ ସମୟ ଓ ଦକ୍ଷତା ବିନିଯୋଗ କରିବାକୁ ପଡ଼ିଥାଏ । ଚଳଚ଼ିତ୍ରରେ ସରକାରୀ ନିବେଶର ଧାରା ନାହିଁ ଏବଂ ଯଦିବା ଆସେ ତାହା ପ୍ରକୃତ ସୃଜନଶିଳ୍ପୀଙ୍କ ଭାଗରେ ପଡ଼ିବ ନାହିଁ ।

 


‘ରାଇଟିଂ ଉଇଥ ଫାଏର’ ଦେଶ ଓ ରାଜ୍ୟରେ ଡକ୍ୟୁମେଣ୍ଟରୀ ଚଳଚ଼ିତ୍ର ନିର୍ମାଣଲାଗି ପ୍ରୋତ୍ସାହନର ବାତାବରଣ ସୃଷ୍ଟି କରିବା ଆଶା କରାଯାଇପାରେ । ଡକ୍ୟୁମେଣ୍ଟରୀ ଚଳଚ଼ିତ୍ର ସାମାଜିକ ପରିବର୍ତ୍ତନରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରେ । ବହୁ ସଂଖ୍ୟକ ପ୍ରଯୋଜକ ଓ ନିର୍ଦ୍ଦେଶକ ଦୀର୍ଘକାଳ ନିମନ୍ତେ ଡ଼କ୍ୟୁମେଣ୍ଟରୀ ଚଳଚ଼ିତ୍ରରେ ସଂପୃକ୍ତ ରହିଲେ ଏବଂ ଗୁଣାତ୍ମକ ବିକାଶ ନିମନ୍ତେ ଉଚ଼ିତ ମଞ୍ଚରେ ପଦକ୍ଷେପ ଗ୍ରହଣ କରାଗଲେ ରାଜ୍ୟ ସାଂସ୍କୃତିକ, ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ସୁଫଳ ମିଳିବା ସମ୍ଭବପର । ଅନଲାଇନ ପରିବେଶରେ ପାଠ୍ୟ ବଦଳରେ ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମପ୍ରତି ଗଣମାଧ୍ୟମ ଉପଭୋକ୍ତା ଆକର୍ଷିତ ହେଉଥିବା ହେତୁ ସାମ୍ୱାଦିକତା ଓ ସାହିତ୍ୟରେ ରୁଚି ରଖୁଥିବା ପ୍ରତିଭାଧରମାନେ ଡକ୍ୟୁମେଣ୍ଟରୀ ନିର୍ମାଣ ପ୍ରତି ସୃଜନ ମୋଡ଼ ବଦଳାଇବା ସମୟର ଆହ୍ୱାନ ।


 

‘ରାଇଟିଂ ଉଇଥ ଫାଏର’ ନିର୍ଦ୍ଦେଶକଙ୍କ ସହ ସାକ୍ଷାତକାର ‘ୟୁ-ଟ୍ୟୁବରେ’ ଉପଲବ୍ଧ:


 

https://www.youtube.com/watch?v=gsH1-09jUa4

            


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୮ ଫେବୃୟାରୀ ୨୦୨୨


ତଥ୍ୟ :

 


Sinha, Dipanjan. How Writing With Fire came about. Business Standard (Bhubaneswar Edition). February 10, 2022.

ବଲିଉଡ଼ ୨୦୨୨ ପ୍ରଥମାର୍ଦ୍ଧ

ମହାମାରୀରେ ପ୍ରାୟ ଦୁଇବର୍ଷ ଚଳଚ଼ିତ୍ର ନିର୍ମାଣ ଓ ପ୍ରେକ୍ଷାଳୟ ପ୍ରଦର୍ଶନ ବନ୍ଦ ରହି ୨୦୨୨ ଆରମ୍ଭରୁ ଏକ ରକମ ସାଧାରଣ ଅବସ୍ଥାରେ ପହଞ୍ଚିବା ପରେ ପରବର୍ତ୍ତୀ ଛଅ ମାସର ବଲିଉଡ଼ ଚଳଚ଼ିତ୍ର ବ୍ୟବସାୟର ଗତିପ୍ରକୃତି ଭାରତୀୟ ଗଣମାଧ୍ୟମ ପରିସରରେ ଗୁରୁତ୍ୱପୂର୍ଣ୍ଣ ବିବେଚ଼ିତ । ଜାନୁୟାରୀ ଓ ଫେବୃୟାରୀ ୨୦୨୨ରେ ଦେଶରେ ‘କୋଭିଡ଼-୧୯’ର ତୃତୀୟ ତରଙ୍ଗ ଅନୁଭୂତ ହୋଇଥିଲେ ହେଁ ତିନିମାସ ଆଗରୁ ୨୦୨୧ ଦଶହରା-ଦୀପାବଳିଠାରୁ ଚଳଚ଼ିତ୍ର ନିର୍ମାଣ ଓ ପ୍ରେକ୍ଷାଳୟ ପ୍ରଦର୍ଶନ ପର୍ଯ୍ୟାୟକ୍ରମେ କ୍ରମଶଃ ଚଳଚ଼ଞ୍ଚଳ ହୋଇସାରିଥିଲା । ଅତଏବ ୨୦୨୨ ଜାନୁୟାରୀରୁ ଜୁନ ମଧ୍ୟରେ ବଲିଉଡ଼ ଚଳଚ଼ିତ୍ର ଶିଳ୍ପ ଗତିଶୀଳ ହୋଇଥିବା ବିଚାର କରାଯାଇଥାଏ ।

 

ମହାମାରୀ-ପର ୨୦୨୨ ପ୍ରଥମାର୍ଦ୍ଧରେ ମୋଟ ୨୧ ଗୋଟି ଆଗଧାଡ଼ିର ବଲିଉଡ଼ ହିନ୍ଦି ଚଳଚ଼ିତ୍ର ପ୍ରେକ୍ଷାଳୟ ମୁକ୍ତିଲାଭ କରିଥିଲା । ଏଥିମଧ୍ୟରୁ ଛଅଗୋଟି ବକ୍ସ ଅଫିସରେ ସଫଳତା ହାସଲ କରିଥିବା ସ୍ଥଳେ ୧୫ଗୋଟି ବିଫଳ ହୋଇଥିବା ହିସାବ ମିଳେ । ଛଅ ମାସ ମଧ୍ୟରେ ରେ ମାର୍ଚ୍ଚ, ଏପ୍ରିଲ ଓ ଜୁନ ମାସରେ ପାଞ୍ଚଗୋଟି ଲେଖା ଚଳଚ଼ିତ୍ର ଏବଂ ଫେବୃୟାରୀରେ ଦୁଇ ତଥା ମେ’ରେ ଚାରିଗୋଟି ଚଳଚ଼ିତ୍ର ପ୍ରେକ୍ଷାଳୟ ରୂପେଲି ପରଦାରେ ପହଞ୍ଚିଥିଲା ।

 

ବକ୍ସ ଅଫିସ ସଫଳତା ପାଇଥିବା ଛଅଗୋଟି ଚଳଚ଼ିତ୍ର ମଧ୍ୟରେ ମାର୍ଚ୍ଚ ମାସରେ ମୁକ୍ତିଲାଭ କରିଥିବା ଏସ. ଏସ. ରାଜମୌଳି ନିର୍ଦ୍ଦେଶିତ ଆରଆରଆର ବା ‘ରୋର, ରାଇଜ, ରିଭୋଲ୍ଟ’ ଦେଶ ବିଦେଶରେ ଚଳଚ଼ିତ୍ର ପ୍ରଦର୍ଶନରୁ ୧୨୦୦ କୋଟି ଟଙ୍କା ଆଦାୟ କରିଥିବା ଆକଳନ କରାଯାଏ । କୁହାଯାଏ ଯେ ଭାରତୀୟ ଚଳଚ଼ିତ୍ର ଇତିହାସରେ ସର୍ବାଧିକ ଅର୍ଥ ଉପାର୍ଜନରେ ଚଳଚ଼ିତ୍ରଟି ତୃତୀୟ ସ୍ଥାନ ଅଧିକାର କରେ । ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ‘ଦି କାଶ୍ମୀର ଫାଇଲ୍ସ’ ଚଳଚ଼ିତ୍ରଟି ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ସ୍ଥଳେ ୨୫୦ କୋଟି ଟଙ୍କା ଆଦାୟ କରିଥିଲା । ସେହିପରି ରହସ୍ୟ ଓ ହାସ୍ୟ ସମ୍ମିଳିତ କାହାଣୀ ଆଧାରିତ ‘ଭୂଲଭୁଲେୟାଁ-୨’ର ନିର୍ମାଣ ଖର୍ଚ୍ଚ ୯୦ କୋଟି ଥିବା ସ୍ଥଳେ ବକ୍ସ ଅଫିସ ଆୟ ୨୬୦ କୋଟି ଛୁଇଁଥିଲା । ସଂଜୟଲୀଳା ବନସାଲ ନିର୍ଦ୍ଦେଶିତ ‘ଗଙ୍ଗୁବାଈ କାଠିଆୱାଡି’ ୨୦୦ କୋଟି ଏବଂ ‘ମେଜର’ ତଥା ‘ଯୁଗ ଯୁଗ ଜିଓ’ ମଧ୍ୟ ବକ୍ସ ଅଫିସ ହିଟ ହୋଇଥିଲା ।

 

ଫ୍ଳପ ହିନ୍ଦି ଚଳଚ଼ିତ୍ର ମଧ୍ୟରେ ମାର୍ଚ୍ଚ ମାସରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାର ଅଭିନୀତ ‘ବଚ୍ଚନ ପାଣ୍ଡେ’ ନିର୍ମାଣ ନିମନ୍ତେ ୧୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୭୦ କୋଟି ଆୟ ହୋଇଥିଲା । ଅକ୍ଷୟ କୁମାର ଅଭିନୀତ ଜୁନ ମାସରେ ମୁକ୍ତିଲାଭ କରିଥିବା ‘ସମ୍ରାଟ ପୃଥ୍ୱୀରାଜ’ ମଧ୍ୟ ଅନ୍ୟ ଏକ ଫ୍ଳପ । ଅମିତାଭ ବଚ୍ଚନ ଅଭିନୀତ ‘ଝୁଣ୍ଡ’, ଅଜୟ ଦେବଗନ ଓ ଅମିତାଭ ବଚ୍ଚନ ଅଭିନୀତ ‘ରନୱେ ୩୪’, କଙ୍ଗନା ରନାୱତ ଅଭିନୀତ ‘ଧକ୍କଡ଼’, ରାଜକୁମାର ରାଓ ଅଭିନୀତ ‘ବଧାଇ ଦୋ’ ଓ ସାହିଦ କପୁର ଅଭିନୀତ ‘ଜର୍ସି’ ଇତ୍ୟାଦି ୧୫ ଗୋଟି ବକ୍ସ ଅଫିସ ଫ୍ଳପ ତାଲିକାରେ ଅନ୍ତର୍ଭୁକ୍ତ ।

 

ପ୍ରଥମାର୍ଦ୍ଧରେ ମୁକ୍ତିଲାଭ କରିଥିବା ୨୧ ଗୋଟି ବଲିଉଡ଼ ଚଳଚ଼ିତ୍ର ମଧ୍ୟରେ ‘ବଧାଇ ଦୋ’ରେ ସମଲିଙ୍ଗ ପ୍ରେମ କାହାଣୀ, ‘ଗଙ୍ଗୁବାଈ କାଠିଆୱାଡ଼ି’ରେ ଦେହଜୀବୀ ସମସ୍ୟା, ‘ଝୁଣ୍ଡ’ଓ ‘ଜର୍ସି’ରେ କ୍ରୀଡ଼ା, ‘ହୁରଜଙ୍ଗ’ରେ ୧୯୯୦ର ମଣ୍ଡଳ କମିଶନ ଆରକ୍ଷଣ ବିରୋଧି ଛାତ୍ର ଆନ୍ଦୋଳନ, ‘ଭୂଲ ଭୁଲୟାଁ-୨’ରେ ରହସ୍ୟ, ‘ଅନେକ’ରେ ଉତ୍ତର-ପୂର୍ବାଞ୍ଚଳ ଓ ‘ଯୁଗ ଯୁଗ ଜିଓ’ରେ ପଞ୍ଜାବୀ ବିବାହ ସଂସ୍କୃତି ବିଷୟବସ୍ତୁକୁ ନେଇ ଚଳଚ଼ିତ୍ର କାହାଣୀ ଗଢ଼ି ଉଠିଥିଲା । ଫ୍ଳପ ହୋଇଥିବା ‘ସମ୍ରାଟ ପୃଥ୍ୱୀରାଜ’ ଚଳଚ଼ିତ୍ର କାହାଣୀ ପ୍ରସ୍ତୁତ ନିମନ୍ତେ ୧୮ ବର୍ଷ ଧରି ଗବେଷଣା ହୋଇଥିବା ଦାବୀ କରାଯାଏ । ‘ମେଜର’ ମୁମ୍ୱାଇଠାରେ ତାଜମହଲ ହୋଟେଲରେ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କ ସହ ସଂଘର୍ଷ କରିଥିବା ମେଜର ସନ୍ଦୀପ ଉନ୍ନକ୍ରିଷ୍ଣନଙ୍କ ଜୀବନ କାହାଣୀ ଆଧାରିତ ।

 

ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ବଲିଉଡ଼ ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ମହାମାରୀ-ପର ପରିବେଶରେ ଦେଶର ଦର୍ଶକଙ୍କ ରୁଚ଼ି ପରିବର୍ତ୍ତନ ବଲିଉଡ଼ ଚଳଚ଼ିତ୍ରକୁ ଗଭୀର ପ୍ରଭାବିତ କରିବା ଆଶା କରାଯାଏ । ଏକ ଉଲ୍ଲେଖଯୋଗ୍ୟ ଘଟଣାକ୍ରମରେ ୨୦୨୨  ପ୍ରଥମାର୍ଦ୍ଧରେ ପ୍ରେକ୍ଷାଳୟ ପ୍ରଦର୍ଶନରୁ ସର୍ବାଧିକ ଆୟ କରିଥିବା ପ୍ରଥମ ଦଶଗୋଟି ଚଳଚ଼ିତ୍ର ମଧ୍ୟରୁ ତିନିଗୋଟି ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ପୁଷ୍ପା, ଆରଆରଆର ଓ କେଜିଏଫ – ୨ ଅର୍ଦ୍ଧେକ ରାଜସ୍ୱ ଦାବୀ କରିଥିବା ପ୍ରକାଶ । ଅନ୍ୟ ଏକ ହିସାବରୁ ଜଣାଯାଏ ଯେ ଅକ୍ଷୟ କୁମାର, ରଣବୀର ସିଂ, ଅଜୟ ଦେବଗନ, ବରୁଣ ଧାବନ, ସଇଫ ଅଲି ଖାଁ, ଜନ ଆବ୍ରାହାମ ଓ ସାହିଦ କପୁର ସାତଜଣ ଖ୍ୟାତନାମା ଚଳଚ଼ିତ୍ର ତାରକାଙ୍କ ଦ୍ୱାରା ଅଭିନୀତ ୧,୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୦ ଗୋଟି ବଲିଉଡ଼ ଚଳଚ଼ିତ୍ର ପ୍ରଯୋଜନା ଖର୍ଚ୍ଚର ମାତ୍ର ଏକ ତୃତୀୟାଂଶ ପ୍ରେକ୍ଷାଳୟ ପ୍ରଦର୍ଶନରୁ ଆଦାୟ କରିଥିଲା ।

 

ମହାମାରୀ-ପର ପରିବେଶରେ ବଲିଉଡ଼ ଚଳଚ଼ିତ୍ର ଶିଳ୍ପ ନିମନ୍ତେ ଚଳଚ଼ିତ୍ର ପ୍ରେକ୍ଷାଳୟ ଓ ଓଭର-ଦି-ଟପ ‘ଓଟିଟି’ ପ୍ରଦର୍ଶନକେନ୍ଦ୍ରୀକ ରାଜସ୍ୱ ସଂପର୍କରେ ଟଣାଓଟରା ଲାଗି ରହିବା ସ୍ୱାଭାବିକ । ମହାମାରୀ ପୂର୍ବରୁ ତିନି ବର୍ଷ ଧରି ଭାରତରେ ଓଟିଟି ପ୍ରଦର୍ଶନ ବ୍ୟବସାୟ ଭିତ୍ତିଭୂମି ସୃଷ୍ଟି କରିସାରିଥିଲା । ତତ୍ ପରବର୍ତ୍ତୀ ମହାମାରୀ କାଳରେ ଦୀର୍ଘ ଦୁଇବର୍ଷ ଧରି ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ରହିବା ଫଳରେ ଓଟିଟି ବ୍ୟବସାୟ ସଶକ୍ତ ହୋଇପାରିଥିଲା । ଜନସାଧାରଣ ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ରୂପାନ୍ତରିକରଣ ପରିବେଶକୁ ଲମ୍ପ ପ୍ରଦାନ କରିଥିବା ସ୍ଥଳେ ମନୋରଞ୍ଜନ କ୍ଷେତ୍ରରେ ଓଟିଟି ପ୍ରମୁଖ ସ୍ଥାନ ଅଧିକାର କରିଥିଲା ।

 

ଏକ ହିସାବ ଅନୁଯାୟୀ ମହାମାରୀ-ପୂର୍ବ ଅବସ୍ଥାରେ ବଲିଉଡ଼ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନରୁ ପ୍ରଯୋଜକମାନେ ୬୦ ରୁ ୭୦ ଏବଂ ଓଟିଟି ମଞ୍ଚ ପ୍ରଦର୍ଶନରୁ ୩୦ ରୁ ୪୦ ପ୍ରତିଶତ ଆଦାୟ କରୁଥିଲେ । ମହାମାରୀ-କାଳରେ ଓଟିଟି ମଞ୍ଚ ଆୟ ୫୦ ରୁ ୬୦ ପ୍ରତିଶତକୁ ବୃଦ୍ଧି ପ୍ରାପ୍ତ ହୋଇଥିଲା । ମହାମାରୀ-ପର ଅବସ୍ଥାରେ ଓଟିଟି ମଞ୍ଚ ଆୟ ପୁଣି ୩୦ ରୁ ୪୦ ପ୍ରତିଶତକୁ ହ୍ରାସ ନପାଇ ୫୦ ପ୍ରତିଶତରେ କିଛି କାଳ ସ୍ଥିର ରହିବା ଆଶା କରାଯାଏ । ଫଳତଃ, ପରିବର୍ତ୍ତିତ ପରିବେଶରେ ବଲିଉଡ଼ ଚଳଚ଼ିତ୍ର ପ୍ରଯୋଜକମାନେ ପ୍ରେକ୍ଷାଳୟ ଓ ଓଟିଟି ମଞ୍ଚ ପ୍ରଦର୍ଶନକୁ ସମାନଭାବେ ଗୁରୁତ୍ୱଦେବା ସୁସ୍ପଷ୍ଟ ।

 

ମଲଟିପ୍ଳେକ୍ସ ଏସୋସିଏସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ଗଣମାଧ୍ୟମ ସହ ସାକ୍ଷାତକାର ଅବସରରେ ସୂଚ଼ିତ କରିଥିଲେ ଯେ ଭାରତରେ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକରେ ୨୦୨୨ ପ୍ରଥମାର୍ଦ୍ଧରେ ଦର୍ଶକ ଉପସ୍ଥିତି ହାର ୨୬ ରୁ ୨୭ ପ୍ରତିଶତ ରହିଥିଲା । ନିଜର ପିଭିଆର ମଲଟିପ୍ଳେକ୍ସ ଶୃଙ୍ଖଳ ‘ଚ଼େନ’ରେ ୩୬ରୁ ୩୭ ପ୍ରତିଶତ ଯାଏଁ ଦର୍ଶକ ଉପସ୍ଥିତି ଗଣନା କରାଯାଇଥିବା ମଧ୍ୟ ଦର୍ଶାଇଥିଲେ । ବଲିଉଡ଼ର ଆଗଧାଡ଼଼ିର ଚଳଚ଼ିତ୍ରଗୁଡ଼ିକ ମୁକ୍ତିଲାଭ କରିବା ଚାରି ସପ୍ତାହପରେ ଓଟିଟି ମଞ୍ଚରେ ପ୍ରଦର୍ଶନ କରିବା ନିମନ୍ତେ ସତ୍ତ୍ୱ ପ୍ରଦାନ କରୁଥିବା ହେତୁ ପ୍ରେକ୍ଷାଳୟକୁ ଦର୍ଶକ ଆସିବା ପ୍ରଭାବିତ ହେଉଥିବା କୁହାଯାଇଥାଏ । ମହାମାରୀ-ପୂର୍ବ ଅବସ୍ଥାରେ ଆଠ ସପ୍ତାହପରେ ଓଟିଟି ମଞ୍ଚରେ ପ୍ରଦର୍ଶନ ବ୍ୟବସ୍ଥା ରହୁଥିଲା । ଅଗଷ୍ଟ ୨୦୨୨ରେ ପୁଣି ଆଠ ସପ୍ତାହ ଅବଧିକୁ ଫେରିଯିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା ।

 

ମହାମାରୀ-ପର ଅବସ୍ଥାରେ ଓଟିଟି ମଞ୍ଚ ବଲିଉଡ଼ ଚଳଚ଼ିତ୍ର ପ୍ରଦର୍ଶନ ଏବଂ ପ୍ରେକ୍ଷାଳୟ ପ୍ରଦର୍ଶନରୁ ସମାନ ଆୟ ଆଶା କରାଯାଉଥିବା ହେତୁ ଉଭୟ ମଞ୍ଚରେ ଦର୍ଶକଙ୍କ ରୁଚ଼ି ପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ ପଡ଼ିବ । ସାଧାରଣରେ ସାମାଜିକ ଓ ପ୍ରଣୟଧର୍ମୀ ‘ରୋମାଣ୍ଟିକ’ ଚଳଚ଼ିତ୍ର ଓଟିଟି ମଞ୍ଚରେ ଏବଂ ଚିତ୍ତାକର୍ଷକ ଦୃଶ୍ୟସଂବଳିତ ଚଳଚ଼ିତ୍ର ପ୍ରେକ୍ଷାଳୟରେ ଦର୍ଶକମାନେ ଦେଖିବାକୁ ପସନ୍ଦ କରିବା ଧାରା ୨୦୨୨ ପ୍ରଥମାର୍ଦ୍ଧରେ ଲକ୍ଷ୍ୟ କରାଯାଇଥିଲା । ଅନ୍ୟାନ୍ୟ ଉଲ୍ଲେଖନୀୟ ଘଟଣାକ୍ରମରେ ଆଗ ଧାଡ଼ିର ବଲିଉଡ଼ ଚଳଚ଼ିତ୍ର ଓଟିଟି ମଞ୍ଚରେ ପ୍ରଦର୍ଶନ ନିମନ୍ତେ ୮୦ରୁ ୯୦ କୋଟିରେ ବିକ୍ରୟ ହୋଇଥିବା, ପ୍ରାୟ ୧୦ରୁ ୩୦ ପ୍ରତିଶତ ଚଳଚ଼ିତ୍ର ନିର୍ମାଣ ଆରମ୍ଭ ପୂର୍ବରୁ ଓଟିଟି ମଞ୍ଚଗୁଡ଼ିକ ସତ୍ତ୍ୱ କିଣି ନେଉଥିବା ଏବଂ ପ୍ରେକ୍ଷାଳୟଗୁଡ଼ିକରେ ଟିକଟ ଦର ୧୫ରୁ ୨୦ ପ୍ରତିଶତ ବୃଦ୍ଧି ପାଇଥିବା ପ୍ରଧାନ । ଦେଶରେ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନ ଆୟ ମହାମାରୀ-ପୂର୍ବ ଅବସ୍ଥା ହିସାବ ମାସିକ ପନ୍ଦର ହଜାର କୋଟି ଟଙ୍କା ରାଜସ୍ୱରେ ପହଞ୍ଚିଯାଇଥିବା ପ୍ରକାଶ ।

 

ଦର୍ଶକୀୟ ରୁଚ଼ିରେ ଦୃତ ପରିବର୍ତ୍ତନ କ୍ରମଶଃ ବଲିଉଡ଼ ଚଳଚ଼ିତ୍ରର ପାରମ୍ପରିକ ଚାକଚ଼କ୍ୟକୁ ମଳିନ କରିବା ଆଶା କରାଯାଏ । ମାତ୍ର ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଦି କାଶ୍ମୀର ଫାଇଲ୍ସ’ ୨୫୦ କୋଟି, ମୁମ୍ୱାଇର ବେଶ୍ୟାପଡ଼ା ଉପରେ ଆଧାରିତ ଏକ ରକମ କଳାତ୍ମକ ଚଳଚ଼ିତ୍ର 'ଗଙ୍ଗୁବାଈ କାଠିଆୱାଡି‘ ୨୦୦ କୋଟି ଏବଂ ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଭୂଲଭୁଲୟାଁ-୨’ ଭଳି ରହସ୍ୟ ଓ ହାସ୍ୟରସ ମୂଳକ ଚଳଚ଼ିତ୍ର ୨୬୦ କୋଟି ବକ୍ସ ଅଫିସରେ ଆଦାୟ କରିବା ଏକ ନୂତନ ସମୀକରଣର ସୂଚ଼ନା ଦେଇଥାଏ । ଜଣେ ବହୁଳ ଚର୍ଚ୍ଚିତ ଅଭିନେତ୍ରୀଙ୍କ ଅଭିନୀତ ‘ଧକ୍କଡ଼’ ୮୬ କୋଟି ଟଙ୍କା ବ୍ୟୟରେ ଖର୍ଚ୍ଚ ହୋଇ ମାତ୍ର ଚାରି କୋଟି ବକ୍ସ ଅଫିସରୁ ଆୟ କରିବା ଏବଂ ଚଳଚ଼ିତ୍ରର ପ୍ରେକ୍ଷାଳୟ ପ୍ରଦର୍ଶନର ଅଷ୍ଟମ ଦିବସରେ ସର୍ବଭାରତୀୟସ୍ତରରେ ମାତ୍ର କୋଡ଼ିଏ ଗୋଟି ଟିକଟ ବିକ୍ରୟରୁ ଚାରି ହଜାର ଟଙ୍କା ଆଦାୟ କରିଥିବା ଉଦାହରଣ ବିସ୍ମିତ କରିଥାଏ । ବଲିଉଡ଼ ୨୦୨୨ ପ୍ରଥମାର୍ଦ୍ଧ ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ଏକ ନୂତନ ଅଧ୍ୟାୟର ପୂର୍ବସୂଚ଼ନା ଦେଇଥିବା ସୁସ୍ପଷ୍ଟ । 

            


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୨ ଜୁଲାଇ ୨୦୨୨


ତଥ୍ୟ :

 


Roy, Priyanka, Bollywood. T2. The Telegraph (Kollkata Edition). July 13, 2022

 

Das Gupta, Surajeet. Bollywood battles the flop show. Business Standard (Bhubaneswar Edition). July 16, 2022

ପରିବର୍ତ୍ତନ ଦ୍ୱାରଦେଶରେ ଓଡ଼ିଆ ଚଳଚ଼ିତ୍ର

ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ବ୍ୟାପକ ପରିବର୍ତ୍ତନ ଦ୍ୱାରଦେଶରେ ଉପନୀତ । ଆନ୍ତର୍ଜାତିକସ୍ତରରେ ଚଳଚ଼ିତ୍ରର ସଂଜ୍ଞା ବଦଳି ଚାଲିଥିବା ଅବସରରେ ଓଡ଼ିଆ କାହିଁକି କୌଣସି ଆଞ୍ଚଳିକ ଭାଷାର ଚଳଚ଼ିତ୍ର ଶିଳ୍ପ ସେହି ପ୍ରକ୍ରିୟାରୁ ନିବୃତ୍ତ ରହି ପାରମ୍ପରିକ ଆଙ୍ଗିକ ବଜାୟ ରଖିବା ଆଶା ଅମୂଳକ ।

 

ବିଂଶ ଶତାଦ୍ଦୀ ଆରମ୍ଭରୁ ଚଳଚ଼ିତ୍ର ପ୍ରେକ୍ଷାଳୟ-ପ୍ରଦର୍ଶନ-କେନ୍ଦ୍ରୀକ ଶିଳ୍ପରୂପେ ବିକଶିତ ହୋଇଥିଲା । ବିକଶିତ ରାଷ୍ଟ୍ରଗୁଡ଼ିକରେ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଏବଂ ଭାରତରେ ଶେଷ ଦୁଇ ଦଶକରେ ଟେଲିଭିଜନ ପ୍ରସାର ପରେ ମଧ୍ୟ ଚଳଚ଼ିତ୍ର ପ୍ରଦର୍ଶନର ବିକଳ୍ପ ମଞ୍ଚ ପ୍ରଚଳନରେ ପ୍ରେକ୍ଷାଳୟ ପ୍ରଦର୍ଶନ ବିଶେଷ କ୍ଷତିଗ୍ରସ୍ତ ହେବା ଆକଳନ କରାଯାଇପାରୁନଥିଲା । ତେବେ ଚଳଚ଼ିତ୍ର ପ୍ରଯୋଜନା ଓ ପ୍ରଦର୍ଶନର ମୌଳିକ ଢ଼ାଞ୍ଚା ନୀରବରେ ବଦଳି ଚାଲିଥିଲା ।

 

ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଇଣ୍ଟରନେଟ ମଞ୍ଚର ପ୍ରସାର ଦ୍ୱିତୀୟ ଦଶକରେ ସ୍ମାର୍ଟଫୋନ ବ୍ୟବହାର ସହ ଓଭର-ଦି-ଟପ ପ୍ରସାରଣର ଲୋକପ୍ରିୟତା ଭାରତୀୟ ଚଳଚ଼ିତ୍ର ଶିଳ୍ପ ବ୍ୟବସାୟକୁ ଦୋହଲାଇ ଦେଇଥିଲା । ‘କୋଭିଡ଼-୧୯’ ମହାମାରୀ ପୂର୍ବରୁ ଯେଉଁ ପରିବର୍ତ୍ତନ ନିମନ୍ତେ ପୂର୍ବ-ପ୍ରସ୍ତୁତି ଚାଲିଥିଲା ତାହା ମହାମାରୀ କାଳରେ ଦୀର୍ଘ ଦୁଇବର୍ଷ ଧରି ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନ ବନ୍ଦ ଫଳରେ ଉଭୟ ଚଳଚ଼ିତ୍ର ପ୍ରଯୋଜନା ଓ ପ୍ରଦର୍ଶନ ବ୍ୟବସ୍ଥାକୁ ଓଲଟପାଲଟ କରିପକାଇଲା । ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନିଉ-ନରମାଲ’ରେ ଚଳଚ଼ିତ୍ର ଶିଳ୍ପକୁ ନୂତନ ଆଙ୍ଗିକରେ ନିଜକୁ ସଜାଡ଼ିବା ବାଧ୍ୟବାଧକତାରେ ପରିଣତ ହୋଇଛି ବୋଲି କହିବାକୁ ହେବ ।

 

ଓଡ଼ିଶାରେ ୧୯୨୮ରୁ ସ୍ଥାୟୀ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନର ୯୪ ବର୍ଷ, ୧୯୩୬ରୁ ଓଡ଼ିଆ ଚଳଚ଼ିତ୍ର ନିର୍ମାଣର ୮୬ ବର୍ଷର ଇତିହାସ ରହିଥିଲେ ହେଁ ୧୯୭୬ରେ ଓଡ଼ିଆ ଚଳଚ଼ିତ୍ର ନିର୍ମାଣରେ ନବଜାଗରଣପରଠୁ ୪୬ ବର୍ଷ ଧରି ଉଲ୍ଲେଖନୀୟ ଅଗ୍ରଗତି ଲକ୍ଷ୍ୟ କରାଯାଇପାରେ । ମହାମାରୀ କାଳରେ ଓଡ଼ିଆ ଚଳଚ଼ିତ୍ର ପ୍ରଯୋଜନା ଓ ପ୍ରଦର୍ଶନ ଦୁଇ ବର୍ଷ ଧରି କ୍ଷତିଗ୍ରସ୍ତ ହେବା ପରେ ମହାମାରୀ-ପର ପରିବର୍ତ୍ତିତ ପରିବେଶରେ କେତୋଟି ମୌଳିକ ପରିବର୍ତ୍ତନ ବିତର୍କର ବିଷୟବସ୍ତୁ ପାଲଟିଥିଲା ।

 

ପ୍ରଥମତଃ, ପ୍ରେକ୍ଷାଳୟ ପ୍ରଦର୍ଶନ ଦୀର୍ଘଦିନ ବନ୍ଦ ରହିଥିବା, ବ୍ୟବସାୟରେ କ୍ରମାଗତ ମନ୍ଦାବସ୍ଥା ଫଲରେ ପ୍ରେକ୍ଷାଳୟ ସଂଖ୍ୟା କମି ଆସୁଥିବା କାରଣରୁ ଓଡ଼ିଆ ଚଳଚ଼ିତ୍ର ୨୦୨୨ ସୁଦ୍ଧା ଟେଲିଭିଜନ ଓ ମୋବାଇଲ ପରଦା କେନ୍ଦ୍ରୀକ ପ୍ରଦର୍ଶନ ଆଶ୍ରିତ ମଡ଼େଲରେ ବିକଶିତ ହେବାରେ ଲାଗିଛି । ଫଳରେ ଟେଲିଭିଜନ ଚ୍ୟାନେଲଗୁଡ଼ିକ ସଂଖ୍ୟାଧିକ ଓଡ଼ିଆ ଚଳଚ଼ିତ୍ରର ପ୍ରଯୋଜକ । ପ୍ରେକ୍ଷାଳୟ ପ୍ରଦର୍ଶିତ ଓ ଟେଲିଭିଜନ ପ୍ରଦର୍ଶିତ ଚଳଚ଼ିତ୍ର ପ୍ରଯୋଜନା ମଡ଼େଲ ଭିନ୍ନ ରହିବା ସ୍ୱାଭାବିକ । ଟେଲିଭିଜନ ପ୍ରଦର୍ଶନର ଆୟକୁ ଭିତ୍ତିକରି ପ୍ରଯୋଜନା ବ୍ୟୟ ହିସାବ ଯୁକ୍ତିଯୁକ୍ତ ।

 

ଫଳରେ ମହାମାରୀ-ପର ପରିବେଶରେ ଓଡ଼ିଆ ଟେଲିଭିଜନ ବଜାରକୁ ଭିତ୍ତିକରି ଚଳଚ଼ିତ୍ର ପ୍ରଯୋଜନା ଖର୍ଚ୍ଚ ୧୫ ରୁ ୧୭ ଲକ୍ଷକୁ କମି ଆସିଛି । ଏହି ପରିବର୍ତ୍ତନରେ ଓଡ଼ିଆ ଚଳଚ଼ିତ୍ର ଶିଳ୍ପରେ ବୃତ୍ତିଗତଭାବେ ନିୟୋଜିତ ସୃଜନ ଓ ବୈଷୟିକ କର୍ମ୍ମୀ କ୍ଷୁବଧ । କିନ୍ତୁ ଅପରପକ୍ଷରୁ ବିଚାର କଲେ ଓଡ଼ିଶାରେ ଯଦି ପ୍ରେକ୍ଷାଳୟ ସଂଖ୍ୟା ୨୦୦୦ରେ ୨୦୦ରୁ ୨୦୧୫ରେ ୮୫ ଏବଂ ୨୦୨୨ରେ ୬୦କୁ କମି ଆସିଲାଣି ଏବଂ ଟେଲିଭିଜନ ପ୍ରସାରଣକୁ ଆଶ୍ରୟକରି ଆଗକୁ ବଢ଼ିବାକୁ ହେବ, ତେବେ ଟେଲିଭିଜନ ଆୟକୁ ଭିତ୍ତିକରି ବ୍ୟୟ ବ୍ୟତୀତ ଅନ୍ୟ କ’ଣ ଉପାୟ ଅଛି ?

 

ଦ୍ୱିତୀୟତଃ, ଅଭିଯୋଗ ଉଠେ ଏଣିକି ଦୁଇ ସପ୍ତାହରେ ଗୋଟିଏ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ ସରୁଛି । ତିନି ଦିନରେ ଗୀତ ରେକଡ଼ିଂ ଓ ସାତ ଦିନରେ ସୁଟିଂ ସୀମିତ । ଟେଲିଭିଜନ ଚ୍ୟାନେଲ ନିମନ୍ତେ ଚଳଚିତ୍ର ନିର୍ମାଣ ପଦ୍ଧତି ପାରମ୍ପରିକ ଚଳଚ଼ିତ୍ର ନିର୍ମାଣ ଧାରାଠାରୁ ଭିନ୍ନ । ଭାରତ ସ୍ୱାଧୀନତା ଲାଭ କଲାବେଳକୁ ବଲିଉଡ଼ରେ ଦୈନନ୍ଦିନ ଚଳଚ଼ିତ୍ର ନିର୍ମାଣ କାର୍ଯ୍ୟ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୩ଟା ୪ରୁ ଆରମ୍ଭ ହୋଇ ରାତି ୧୦ ରୁ ୧୧ ଯାଏଁ ଚାଲୁଥିଲା । ସୁଟିଂ ଫ୍ଲୋର କିମ୍ୱା ଏଡ଼ିଟିଂ ଟେବୁଲରେ ସ୍କ୍ରିପ୍ଟର ଗୁରୁତ୍ୱ ରହୁନଥିଲା । ନିର୍ଦ୍ଦେଶକ କିମ୍ୱା ଷ୍ଟାର ଚାହିଁଲେ ତତକ୍ଷଣାତ ଚଳଚ଼ିତ୍ରର ରୂପରେଖ ବଦଳି ଯାଉଥିଲା । କିନ୍ତୁ ‘ଜଂଜିର’, ‘ସୋଲେ’ ପରେ କେବଳ ସ୍କ୍ରିପ୍ଟର ଗୁରୁତ୍ୱ ବଢ଼ିଲାନି, ସ୍କ୍ରିନ-ପ୍ଳେ ଲେଖା ସରିବାପରେ ଅଧ-ଡ଼ଜନେ ସ୍କ୍ରିପ୍ଟ-ଟେଷ୍ଟର ସମୀକ୍ଷା କରିବା ଧାରା ଆରମ୍ଭ ହେଲା ।

 

ଏକବିଂଶ ଶତାଦ୍ଦୀ ଆରମ୍ଭରୁ ବଲିଉଡ଼ରେ ସୁଟିଂ ଓ ଏଡ଼ିଟିଂ ପ୍ରାୟତଃ ୯ ରୁ ୫ କାର୍ଯ୍ୟନିର୍ଘଣ୍ଟକୁ ଆବୋରି ନେଇଛି । ଏଥିପାଇିଁ ବଲିଉଡ଼ ଚଳଚ଼ିତ୍ର ପ୍ରଯୋଜନାରେ ବୈଦେଶିକ ଆର୍ଥିକ ନିବେଶ, ଷ୍ଟୁଡ଼ିଓ ସଂସ୍କୃତିର ବିକାଶ ଓ ଟେଲିଭିଜନ ପ୍ରୋଡ଼େକସନର ପ୍ରଭାବକୁ ଦାୟୀ କରାଯାଇପାରେ ।

 

ତୃତୀୟତଃ, ଉଭୟ ଚଳଚ଼ିତ୍ର ଓ ଟେଲିଭିଜନ କାର୍ଯ୍ୟକ୍ରମ ନିର୍ମାଣଲାଗି ବୈଷୟିକ କାରିଗରୀ କୌଶଳରେ ଅଗ୍ରଗତି ସମଗ୍ର ସୃଜନ ଓ ପ୍ରଦର୍ଶନ ପରିଧିରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର । ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ ବଲିଉଡ଼ରେ ଗୋଟିଏ ସଟ ନେବା ପାଇଁ ଅନ୍ୟୂନ ଦେଢ଼ରୁ ଦୁଇ ଘଣ୍ଟା ବିନିଯୋଗ ଏବଂ କ୍ୟାମରା ବୋହିବା ନିମନ୍ତେ ଟ୍ରଲି କିମ୍ୱା କ୍ରେନ ସହ ଦୁଇ ଚାରିଜଣ ସହଯୋଗୀ ଆବଶ୍ୟକ ପଡୁଥିଲା । ସେହିପରି ସାଧାରଣରେ ଦଶ ମିଟର ଫିଲ୍ମ ଏଡ଼ିଟିଂ ପାଇଁ ଦଶ ଘଣ୍ଟା ବଦଳରେ ବର୍ତ୍ତମାନ ଦଶ ମିନଟରେ ସଂଭବ ହୋଇପାରୁଛି । ବିନା ଲାଇଟରେ ସୁଟିଂଠାରୁ ଆରମ୍ଭ କରି ଟେମ୍ପଲେଟ ବ୍ୟବହାରରେ ଏଡ଼ିଟିଂ ଯାଏଁ ଚଳଚ଼ିତ୍ର ନିର୍ମାଣ ଲାଗି ବିବିଧ ସୁବିଧା ସୁଯୋଗ ଉପଲବ୍ଧ । ଓଡ଼ିଆ ଚଳଚ଼ିତ୍ର କ’ଣ ଏଗୁଡ଼ିକ ବ୍ୟବହାର କରିବନି ?

 

ପ୍ରଶ୍ନ ଉଠେ, ଏହି ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ସୃଜନ ହଜି ଯାଉନି ତ ? ମୋଟରୁ ନୁହେଁ, ବରଂ ସୃଜନର ପରିସର ବ୍ୟାପ୍ତି ଲାଭ କରିଛି । ସପ୍ତାହକର ସୁଟିଂ ପାଇଁ ଆଲଫ୍ରେର୍ଡ ହିଚକକ୍, ସତ୍ୟଜିତ ରାୟ, ଶ୍ୟାମ ବେନେଗାଲ କେତେ ସମୟ ପୂର୍ବ ପ୍ରସ୍ତୁତିରେ ସମୟ ବିନିଯୋଗ କରିଥାନ୍ତି ? ସ୍କ୍ରିନ-ପ୍ଳେ ରାଇଟିଂରେ କେତେ ଥର ଡ୍ରାଫ୍ଟ ବଦଳାଯାଏ ? ଦୃଶ୍ୟାବଳୀର ସୁକ୍ଷ୍ମାତିସୁକ୍ଷ୍ମ ବିଶ୍ଳେଷଣ ପାଇଁ ପ୍ରପର୍ଟି ଖୋଜିବାରେ କେତେ ସ୍ଥାନରେ ଖୋଜନ୍ତି ? ଆଉ ଇକ୍ୟୁପମେଣ୍ଟ କଥା । ବିଗତ ପାଞ୍ଚ ବର୍ଷରେ ଏସଏଲଆର କ୍ୟାମେରାରେ ନିର୍ମିତ ‘ଭିଲେଜ ରକ ଷ୍ଟାର’, ‘ରାଇଟିଂ ଉଇଥ ଫାଏର’ ଭଳି ଭାରତୀୟ ଚଳଚ଼ିତ୍ର ଯଦି ଓସ୍କାର-ନୋମିନେସନସ୍ତରକୁ ଯାଇପାରିଲା ପ୍ରତିଭାଧାରୀଙ୍କ ପାଇଁ ଅସୁବିଧା ରହିଲା କେଉଁଠି ?

 

ପରିବର୍ତ୍ତନ ଦ୍ୱାରଦେଶରେ ଓଡ଼ିଆ ଚଳଚ଼ିତ୍ର ଉପନୀତ ଥିବା ସ୍ଥଳେ ଚଳଚ଼ିତ୍ର ନିର୍ମାଣଗତ ବିଭିନ୍ନ ଦିଗ ସଂପର୍କରେ ଆଲୋଚ଼ନା ସମୀଚ଼ୀନ । ତେବେ ଏଠାରେ ଏକ ମୌଳିକ ସମସ୍ୟାକୁ ବିଚାରକୁ ନିଆଯାଉ । ଚଳଚ଼ିତ୍ର ନିର୍ମାଣରେ ଉତ୍କର୍ଷ ଚଳଚ଼ିତ୍ର ପଟ୍ଟକଥା ‘ସ୍କ୍ରିନ-ପ୍ଳେ’ ଉପରେ ସର୍ବାଧିକ ନିର୍ଭରଶୀଳ । ପ୍ରଖ୍ୟାତ ହଲିଉଡ଼ ଚଳଚ଼ିତ୍ର ନିର୍ମାଣ-ନିର୍ଦ୍ଦେଶକ ହିଚକକ କହୁଥିଲେ ଚଳଚ଼ିତ୍ର ନିର୍ମାଣ ମାନେ “ପଟ୍ଟକଥା, ପଟ୍ଟକଥା ଏବଂ ପଟ୍ଟକଥା ।” ଦୃଶ୍ୟଶ୍ରାବ୍ୟ ଉପାଦାନ ‘ସ୍କ୍ରିନ ପ୍ଳେ’ ବା ଚଳଚ଼ିତ୍ର ନିର୍ମାଣ ଉପଯୋଗୀ ସୃଜନ ଚିଠା ‘ପଟ୍ଟ କଥା’ ଓଡ଼ିଆ ଚଳଚ଼ିତ୍ର ଓ ସାହିତ୍ୟରେ ଏକ ଅବହେଳିତ ଦିଗ । ଶବ୍ଦକୋଷ ବର୍ଣ୍ଣନାରେ ‘ପଟ’ ଥିଏଟର ସିନ ବା ପର୍ଦା, ଦୃଶ୍ୟପଟ, ଛବି ବା ଦୃଶ୍ୟପଟକୁ ବୁଝାଏ । ଏଣୁ ଇଂଲିଶ ଶବ୍ଦ ‘ସ୍କ୍ରିନ ପ୍ଳେ’ର ଓଡ଼ିଆ ଅନୁବାଦ ‘ପଟ୍ଟକଥା’ ଯୁକ୍ତିଯୁକ୍ତ ।

 

ଓଡ଼ିଆ ସାହିତ୍ୟରେ ବିଭିନ୍ନ ବିଭବ ସଂବଳିତ ମୁଦ୍ରିତ ପୁସ୍ତକ ପ୍ରକାଶିତ ହୋଇ ଆସୁଥିବା ସ୍ଥଳେ ପଟ୍ଟକଥାର ସଂଖ୍ୟା ଆଙ୍ଗୁଠି ଗଣତିରେ ସୀମିତ । ସମକାଳୀନ ସାହିତ୍ୟରେ ମୁଖ୍ୟତଃ କ୍ଷୁଦ୍ରଗଳ୍ପ, ଆତ୍ମଜୀବନୀ, ଉପନ୍ୟାସ, ଭ୍ରମଣ ଓ ସମାଲୋଚ଼ନା ସାହିତ୍ୟ ପାଞ୍ଚଗୋଟି ବିଭାଗରେ ମୁଦ୍ରିତ ପୁସ୍ତକ ସଂଖ୍ୟା ଅଧିକ । କବିତା ସଂକଳନ ପ୍ରକାଶନ ପୂର୍ବବର୍ଷଗୁଡ଼ିକ ତୁଳନାରେ କମି ଆସିଛି । ଗବେଷଣା ଓ ଅଧ୍ୟାପନା ଉପଯୋଗୀ ସମାଲୋଚ଼ନା ସାହିତ୍ୟଭିତ୍ତିକ ପୁସ୍ତକ ପ୍ରକାଶନ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥାଏ । ଅତୀତରେ ନାଟ୍ୟ ସାହିତ୍ୟ ଉଲ୍ଲେଖନୀୟ ସ୍ଥିତିରେ ଥିବା ସ୍ଥଳେ ପ୍ରାୟ ଚାରି ଦଶନ୍ଧି ଧରି ଅବହେଳିତ । ମୋଟ ଉପରେ ପଟ୍ଟକଥା ରଚନା ଓଡ଼ିଆ ସାହିତ୍ୟ ପ୍ରକାଶନର ଏକ ଅଂଶ ଭାବେ ଖୋଜି ପାଇହୁଏନା ।

 

ଓଡ଼ିଆ ଭାଷାରେ ଚଳଚ଼ିତ୍ର ନିର୍ମାଣ ସଂଖ୍ୟା ସୀମିତ ରହି ଆସିଥିବା ଏବଂ ଉନ୍ମେଷକାଳରୁ ଲେଖକମାନଙ୍କୁ ଚଳଚ଼ିତ୍ର ନିର୍ମାଣ ପ୍ରକ୍ରିୟାରେ ସାମିଲ କରାଯାଉନଥିବା ହେତୁ ମୌଳିକ ପଟ୍ଟକଥା ପ୍ରାୟ ସମ୍ଭବ ହୋଇପାରି ନାହିଁ । ସ୍ୱାଧୀନୋତ୍ତର ଅବସ୍ଥାରେ ଗତ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦୁଇ ଦଶକରେ କେତେକ ଲୋକପ୍ରିୟ ଓଡ଼ିଆ ଉପନ୍ୟାସକୁ ଆଧାର କରି ଚଳଚ଼ିତ୍ର ନିର୍ମିତ ହୋଇଥିଲା । ଏହି କ୍ଷେତ୍ରରେ ପ୍ରକାଶିତ ଉପନ୍ୟାସକୁ ଆଧାରକରି ପଟ୍ଟଚ଼ିତ୍ର ପ୍ରସ୍ତୁତ କରାଯାଇଥିଲା । ମୌଳିକ ରଚନା ସଂଭବ ହୋଇପାରି ନଥିଲା ।

 

ପରବର୍ତ୍ତୀ ତିନି ଦଶକ ବିଂଶ ଶତାଦ୍ଦୀର ଅଷ୍ଟମ, ନବମ ଓ ଶେଷ-ଦଶକରେ ଓଡ଼ିଆ ଚଳଚ଼ିତ୍ର ନିର୍ମାଣରେ ସଂଖ୍ୟା ବୃଦ୍ଧି ପାଇଥିଲେ ହେଁ ସୃଜନକୁ ଅଣଦେଖା କରି ବୈଷୟିକ କୌଶଳକୁ ଭିତ୍ତିକରି ଚଳଚ଼ିତ୍ର ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଇଥିଲା । ଫଳତଃ ପ୍ରତିବେଶୀ ଭାଷାର ସଫଳ ଚଳଚ଼ିତ୍ରଗୁଡ଼ିକର ଅନୁକରଣ ଧାରା ଗୁରୁତ୍ୱ ଲାଭ କରିଥିଲା । ମହାମାରୀ-ପର ପରିବେଶରେ ଅନୁକରଣ ଧାରାକୁ ବିରୋଧ ସ୍ୱାଗତଯୋଗ୍ୟ । ତେବେ ଏହି ବିରୋଧ ୩୦-୩୫ ବର୍ଷ ତଳୁ ପ୍ରତିଧ୍ୱନିତ ହେବା ଆବଶ୍ୟକ ଥିଲା ।

 

ଚଳଚ଼ିତ୍ର ପଟ୍ଟକଥା ରଚନାରେ ସୃଜନ ସାଙ୍ଗକୁ ଚଳଚ଼ିତ୍ର ନିର୍ମାଣ କଳା-କୌଶଳ ସଂପର୍କରେ ଜ୍ଞାନ ଆବଶ୍ୟକ । ଚଳଚ଼ିତ୍ରର ବ୍ୟାକରଣ ସ୍ୱତନ୍ତ୍ର । ଦୃଶ୍ୟ ମାଧ୍ୟମରେ ସୃଜନ ନିମନ୍ତେ ଅତ୍ୟାଧୁନିକ କାରିଗରୀ କୌଶଳ ଉପଯୋଗ ଲାଗି ଧ୍ୟାନ ଦେବାକୁ ପଡିଥାଏ । ତେଣୁ ପଟ୍ଟକଥା ଲେଖକମାନେ ସାହିତ୍ୟ ଓ ଚଳଚ଼ିତ୍ର ଉଭୟ କ୍ଷେତ୍ରରେ ଦକ୍ଷତା ହାସଲ ଅନିର୍ବାଯ୍ୟ ।

 

ଓଡ଼ିଆ ଚଳଚ଼ିତ୍ର ପଟ୍ଟକଥା ରଚନାରେ ପଛୁଆ ପଡିଥିବାର ବିଭିନ୍ନ କାରଣ ମଧ୍ୟରେ ସାହିତ୍ୟ ଓ ଚଳଚ଼ିତ୍ର ଉଭୟ କ୍ଷେତ୍ର ମଧ୍ୟରେ ସମନ୍ୱୟ ସ୍ଥାପିତ ହୋଇପାରିଲା ନାହିଁ । ଓଡ଼ିଆ ଚଳଚ଼ିତ୍ର ନିର୍ଦ୍ଦେଶକମାନେ ନିଜସ୍ୱ ଦକ୍ଷତାରେ ବିଶ୍ୱାସ କାରଣରୁ ସାହିତ୍ୟିକମାନଙ୍କୁ ଅଣଦେଖା କଲେ । ଓଡ଼ିଆ ଚଳଚ଼ିତ୍ର ପ୍ରଯୋଜକମାନେ କାରିଗରୀ କୌଶଳ କିମ୍ୱା ବ୍ୟବସାୟ କୌଣସିଟି କ୍ଷେତ୍ରରେ ଦକ୍ଷ ନଥିବା ତଥା ଚଳଚ଼ିତ୍ରରେ ଉତ୍କର୍ଷ ବିକାଶ ନିମନ୍ତେ ଯତ୍ନବାନ ନଥିବା ହେତୁ ପଟ୍ଟକଥା ରଚନା ବିଭବଟି ଓଡ଼ିଆ ଚଳଚ଼ିତ୍ର କ୍ଷେତ୍ରରେ ନବଜାଗରଣର ଅର୍ଦ୍ଧ ଶତାଦ୍ଦୀର ଇତିହାସରେ ଅବହେଳିତ ହୋଇ ପଡିରହିଛି ।

 

ଚଳଚ଼ିତ୍ର ପଟ୍ଟକଥା ରଚ଼ନା ଏକ ସୃଜନ କଳା ଏବଂ ଏହାର ବିକାଶ ନିମନ୍ତେ ବ୍ୟକ୍ତିଗତ ଉଦ୍ୟମ ହିଁ ସର୍ବାପେକ୍ଷା ପ୍ରଭାବଶାଳୀ । ତେବେ ଯଦି ବର୍ତ୍ତମାନ ଟେଲିଭିଜନ ଚ୍ୟାନେଲମାନେ ଓଡ଼ିଆ ଚଳଚ଼ିତ୍ର ନିର୍ମାଣରେ ପାଦ ଥୋଉଛନ୍ତି, ତେବେ ଚଳଚ଼ିତ୍ର ପଟ୍ଟକଥା ଲେଖନକୁ ଉତ୍ସାହିତ କରିବା ନିମନ୍ତେ ସାମୟିକ ଭାବେ ଲେଖକ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜନ କରିପାରନ୍ତି । ଭଲ ପଟ୍ଟକଥା ଉପଲବ୍ଧ ହେଲେ ଚ୍ୟାନେଲମାନେ ଭଲ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ କରିପାରିବେ ଏବଂ ବ୍ୟାବସାୟିକ ଦୃଷ୍ଟିରୁ ଲାଭବାନ ହେବେ । ଚଳଚ଼ିତ୍ର ଉନ୍ନୟନ ନିଗମ, ସାହିତ୍ୟ ଓ ସଂଗୀତ ନାଟକ ଏକାଡ଼େମୀ, ଭଷା ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟସ୍ତରର ସ୍ନାତକୋତ୍ତର ଗଣଯୋଗାଯୋଗ ଶିକ୍ଷାୟତନଗୁଡ଼ିକ ମଧ୍ୟ ଏଦିଗରେ ପଦକ୍ଷେପ ନେବା ସଂଭବ । ଓଡ଼ିଆ ଚଳଚ଼ିତ୍ରରେ ଗୁଣାତ୍ମକ ବିକାଶ ଓ ମୌଳିକତା ପରିସ୍ପୁଟନ ନିମନ୍ତେ ପଟ୍ଟକଥା ରଚନାକୁ ପ୍ରାଥମିକତା ଦେବା ସମୟର ଆହ୍ୱାନ ।  

            


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ମେ ୨୦୨୨

ଚଳଚ଼ିତ୍ର 'ପ୍ରତୀକ୍ଷା' ଓ କ୍ଷଦ୍ରଗଳ୍ପ 'ବାପା'

ନଭେମ୍ୱର ୨୦ ରୁ ୨୮ ତାରିଖ ମଧ୍ୟରେ ଗୋଆଠାରେ ଅନୁଷ୍ଠିତ ୫୩ତମ ଭାରତୀୟ ଆନ୍ତର୍ଜାତିକ ଚଳଚ଼ିତ୍ର ଉତ୍ସବର ପାନୋରମା ଶୃଙ୍ଖଳରେ ଓଡ଼ିଶା ଚଳଚ଼ିତ୍ର ‘ପ୍ରତୀକ୍ଷା’ ପ୍ରଦର୍ଶନ ଓଲିଉଡ଼ର ୨୦୨୨ ବାର୍ଷିକ ପଞ୍ଜିକାରେ ଏକ ଉଲ୍ଲେଖନୀୟ ସାଫଲ୍ୟ । ନଭେମ୍ୱର ୨୨ ତାରିଖ ରାତି ଘ ୮.୪୫ ମି.ରେ ପାଞ୍ଜିମର ଆଇନକ୍ସ ପ୍ରେକ୍ଷାଳୟରେ ଚଳଚ଼ିତ୍ରଟି ପ୍ରଦର୍ଶିତ ହୋଇଥିଲା । ତା’ ପରଦିନ ଚଳଚ଼ିତ୍ର ଉତ୍ସବ ଆୟୋଜକଙ୍କ ପକ୍ଷରୁ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀ ‘ଟେବଲ-ଟକ’ରେ ‘ପ୍ରତୀକ୍ଷା’ ଚଳଚ଼ିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଓ ମୁଖ୍ୟ ଅଭିନେତା ଦୀପନ୍ୱିତ ଦାସମହାପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଚଳଚ଼ିତ୍ର ନିର୍ମାଣ ପୃଷ୍ଠଭୂମି ସଂପର୍କରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ନଭେମ୍ୱର ୨୨ରେ ପାନୋରମାରେ ପ୍ରଦର୍ଶିତ ଅନ୍ୟ ଦୁଇ ହିନ୍ଦି ଚଳଚ଼ିତ୍ର ‘ସିଆ’ର ନିର୍ଦ୍ଦେଶକ ମନୀଷ ମୁନ୍ଦ୍ରା ଓ ‘ଦି କାଶ୍ମୀର ଫାଇଲ୍ସ’ର ମୁଖ୍ୟ ଅଭିନେତା ଅନୁପମ ଖେର ଓ ପ୍ରଯୋଜକ ଅଭିଷେକ ଅଗ୍ରୱାଲ ମଧ୍ୟ ଏହି ଟେବଲ-ଟକର ସହଭାଗୀ ଥିଲେ । କାର୍ଯ୍ୟକ୍ରମର ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ଅବଧିର ଧାରାବିବରଣୀ ଭିଡ଼ିଓ ପ୍ରେସ ବ୍ୟୁରୋ ଅଫ ଇଣ୍ଡିଆର ୟୁ-ଟ୍ୟୁବ ଚ୍ୟାନେଲରେ ଉପଲବ୍ଧ ।

 

ଏହି ଅବସରରେ ଅନୁପମ ଖେର ‘ପ୍ରତୀକ୍ଷା’ର ଭୂୟସୀ ପ୍ରଶଂସା କରିଥିଲେ । ଚଳଚ଼ିତ୍ରଟିର କାହାଣୀ ତାଙ୍କୁ ପ୍ରଭାବିତ କରିଥିବା ପ୍ରକାଶ କରିଥିଲେ । ଘୋଷଣା କରିଥିଲେ ଯେ ‘ପ୍ରତୀକ୍ଷା’ର ହିନ୍ଦି ରୂପାନ୍ତର ସେ ନିଜେ ପ୍ରଯୋଜନା କରିବେ ଏବଂ ବାପା ଭୂମିକାରେ ଅଭିନୟ କରିବା ନିମନ୍ତେ ଆଗ୍ରହୀ । ଏହି ବାବଦରେ ଚୁକ୍ତି ଅର୍ଥ ଆକାରରେ ମଞ୍ଚରେ ନିଜ ମନିପର୍ସରୁ ଏଗାର ଶହ ଟଙ୍କା ଖୋଜି ବାହାର କରି ନିର୍ମାତା-ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ । ଏହି ଘଟଣାଟି ଓଡ଼ିଆ ଚଳଚ଼ିତ୍ରପ୍ରେମୀଙ୍କ ପାଇଁ ଭାବାବେଗର ଦୃଶ୍ୟ । ଓଡ଼ିଆ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ଏହାର ବ୍ୟାପକ ଚର୍ଚ୍ଚା ହୋଇଥିଲା ।

 

ଅନୁପମ ଖେର ବଲଉଡ଼ର ପ୍ରତିଷ୍ଠିତ କଳାକାର । ସେ ୫୩୨ଗୋଟି ଚଳଚ଼ିତ୍ରରେ ଅଭିନୟ କରିଛନ୍ତି । ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ସ୍ୱର୍ଣ୍ଣ ପଦକପ୍ରାପ୍ତ ବିଦାର୍ଥୀ ଏବଂ ପୁଣେର ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଟିଉଟ ଅଫ ଇଣ୍ଡିଆର ପ୍ରାକ୍ତନ ଅଧ୍ୟକ୍ଷ । ସେ ଜଣେ ଜାତୀୟବାଦୀ କଳାକାରଭାବେ ପରିଚ଼ିତ ଏବଂ ‘ଦି କାଶ୍ମୀର ଫାଇଲ୍ସ’ରେ ନିପୂଣ ଅଭିନୟ ପାଇଁ ଖ୍ୟାତ । ଅନୁପମ ଖେର ‘ପ୍ରତୀକ୍ଷା’ରେ ବାପା ଓ ପୁଅ ମଧ୍ୟରେ ଅବ୍ୟକ୍ତ ସ୍ନେହର ବାର୍ତ୍ତା ପ୍ରତିଫଳନର ପ୍ରଶଂସା କରିଥିଲେ । ଅନୁପମ ପଟ୍ଟନାୟକ ସୂଚାଇଥିଲେ ଯେ ଓଡ଼ିଆ କ୍ଷୁଦ୍ରଗଳ୍ପ ଲେଖକ ଗୌରହରି ଦାସଙ୍କ ଦୁଇ ତିନି ପୃଷ୍ଠା ଅବୟବର କାହାଣୀ ଆଧାରିତ ‘ପ୍ରତୀକ୍ଷା’ର ଚ଼ିତ୍ରନାଟ୍ୟ ଓ ସଂଳାପ ରୋଷନ ବିଷୋୟୀ ପ୍ରସ୍ତୁତ କରିଛନ୍ତି ।

 

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ନିର୍ମାଣ, ପ୍ରଦର୍ଶନ, ବ୍ୟବସାୟ, ଶ୍ରମ ସଂସ୍ଥାନ ଓ ସାମାଜିକ ପ୍ରଭାବ ସମସ୍ତ ଦିଗରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସମୟରେ ନଭେମ୍ୱର ଓ ଡ଼ିସେମ୍ୱର ୨୦୨୨ରେ ଦୁଇଗୋଟି ଓଡ଼ିଆ ଚଳଚ଼ିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ର ଶୁଭମୁକ୍ତି ଏବଂ ଅନ୍ତତଃପକ୍ଷେ କଳାତ୍ମକ ସଫଳତା ଓଲିଉଡ଼ରେ ଆଶା ସଂଚାର କରଛି । ‘ଦମନ’ ଉପାନ୍ତ ଓଡ଼ିଶାରେ ଏକ ସତ୍ୟଘଟଣାକୁ ନେଇ ଗଢ଼ିଉଠିଥିବା ସ୍ଥଳେ ‘ପ୍ରତୀକ୍ଷା’ର ମୂଳ ଉତ୍ସ ଏକ କ୍ଷୁଦ୍ରଗଳ୍ପ । ପ୍ରତିବେଶୀ ଚଳଚ଼ିତ୍ରର ଅନ୍ଧ ଅନୁବାଦ ଅପବାଦରେ ନିନ୍ଦିତ ଓଲିଉଡ଼ ସିନେମା ମୌଳିକ ରଚ଼ନା ଆଶ୍ରିତ ହୋଇଥିବାରୁ ଦର୍ଶକୀୟ ସ୍ୱୀକୃତି ଲାଭ କରିଥିବା ସୁସ୍ପଷ୍ଟ । ଦୁଇ ଚଳଚ଼ିତ୍ରର ଚ଼ିତ୍ରନାଟ୍ୟ ଲେଖକଙ୍କୁ ଏଥିପାଇଁ ଶ୍ରେୟ ଦେବା କଥା ।

 

‘ପ୍ରତୀକ୍ଷା’ର ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରୋଡ଼କସନ୍ସର ଉତ୍ସ ଅମୀୟ ପଟ୍ଟନାୟକ ଓଡ଼ିଆ ଚଳଚ଼ିତ୍ର ପ୍ରଯୋଜନା କ୍ଷେତ୍ରରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ କାଳଧରି ସଂପୃକ୍ତ ଥିଲେ । ଏହି ସମୟସୀମାରେ ଓଡ଼ିଆ ଚଳଚ଼ିତ୍ରର ଉନ୍ନତି ଓ ଅବନତି ଉଭୟ ଅନ୍ତର୍ଭୁକ୍ତ । ଓଲିଉଡ଼ରୁ ଦ୍ୱି-ଭାଷୀ, ତ୍ରି-ଭାଷୀ ଚଳଚ଼ିତ୍ର ବ୍ୟବସାୟ ପାଇଁ ସେ ସାହାସ କରିଥିଲେ । ତାଙ୍କରି ପ୍ରଥମ ଚଳଚ଼ିତ୍ର ‘ହାକିମ ବାବୁ’ (୧୯୮୫) କଥାକାର ବିଭୂତି ପଟ୍ଟନାୟକଙ୍କ ଲେଖାକୁ ନେଇ ଗଢ଼ି ଉଠିଥିବା ସ୍ଥଳେ ଶେଷ ଚଳଚ଼ିତ୍ର ‘ତୁଳସୀ ଅପା’(୧୯୧୭) ଖ୍ୟତନାମା ଜୀବତ ଜନଜାତି ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀ ଆଧାରିତ ଥିଲା । ତୁଳସୀ ଅପା ଭୂମିକାରେ ସେ ହାଇଦରାବାଦରେ ଆଇଟି ପ୍ରଫେସନାଲ ଭାବେ ଅବସ୍ଥାପିତ ଇଞ୍ଜିନିୟର ବର୍ଷା ନାୟକଙ୍କୁ ଅଭିନୟ ନିମନ୍ତେ ସୁଯୋଗ ଦେଇଥିଲେ । ପାଞ୍ଚ ବର୍ଷ ପରେ ‘ପ୍ରତୀକ୍ଷା’ରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ବର୍ଷା ଅବତୀର୍ଣ୍ଣ ହୋଇଛନ୍ତି । ଅମୀୟ ପଟ୍ଟନାୟକଙ୍କ ୨୦୧୮ରେ ଦେହାନ୍ତ ହୋଇଥିଲା । ସେତେବେଳକୁ ‘ପ୍ରତୀକ୍ଷା’ର ଚ଼ିତ୍ରନାଟ୍ୟ ରଚ଼ନା ସ୍ତରରେ ଥିଲା ।

 

‘ପ୍ରତୀକ୍ଷା’ ଚଳଚ଼ିତ୍ରଟି ‘ବାପା’ କ୍ଷୁଦ୍ରଗଳ୍ପ ଦ୍ୱାରା ପ୍ରଭାବିତ ‘ଇନସ୍ପାୟାଡ଼’ ବୋଲି ଘୋଷିତ । ଫଳରେ ମୂଳ କ୍ଷୁଦ୍ରଗଳ୍ପଟିର ବର୍ଣ୍ଣନାରେ ବ୍ୟାପକ ପରିବର୍ତ୍ତନ ନିମନ୍ତେ ଦ୍ୱାର ଉନ୍ମୁକ୍ତ ରହିଥିଲା । ପ୍ରଥମତଃ, ‘ବାପା’ ନାମ ‘ପ୍ରତୀକ୍ଷା’ରେ ରୂପାନ୍ତରିତ ହୋଇଛି । ଦ୍ୱିତୀୟତଃ, ‘ବାପା’ର କାହାଣୀ ଓଡ଼ିଶାର ଯେକୌଣସି ଏକ ସହରରେ, ବିଶେଷକରି ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା ସ୍ଥଳେ ‘ପ୍ରତୀକ୍ଷା’ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଛି । ତୃତୀୟତଃ, କ୍ଷୁଦ୍ରଗଳ୍ପରେ ନାୟକଙ୍କ ବାପା ଏକ କମ୍ପାନୀ ଚାକିରୀରେ ଅବସ୍ଥାପିତ ଥିବା ବେଳେ ଚଳଚ଼ିତ୍ରରେ ସରକାରୀ କର୍ମଚାରୀ । ଚ଼ତୁର୍ଥତଃ, କ୍ଷୁଦ୍ରଗଳ୍ପରେ ଆଦର୍ଶଗତ କାରଣରୁ ବାପା ଓ ପୁଅ ସଂପର୍କରେ ବ୍ୟାପକ ଅନ୍ତର ଦୈନନ୍ଦିନ ଜୀବନରେ ପ୍ରତିଫଳିତ ହେଉଥିବା ସ୍ଥଳେ ଚ଼ଳଚ଼ିତ୍ରରେ ସହଜରେ ବାରି ହୁଏ ନାହିଁ । ପଞ୍ଚମରେ କ୍ଷୁଦ୍ରଗଳ୍ପ ଶେଷରେ ନାୟକଙ୍କ ବାପା ମୃତ୍ୟୁ ମୁଖରେ ପଡ଼ିଥିବା, ତାହାର ପ୍ରେମିକା ଅନ୍ୟତ୍ର ବିବାହ କରି ଚାଲିଯାଇଥିବା ଏବଂ ନିଜେ ସରକାରୀ ଚାକିରୀ ଅନ୍ୱେଷଣରେ ହିଁ ଅଟକି ଯାଇଥିବା ସ୍ଥଳେ ଚଳଚ଼ିତ୍ରରେ ଭିନ୍ନ ରୂପାଙ୍କନ ହୋଇଛି ।

 

କ୍ଷୁଦ୍ରଗଳ୍ପ ଓ ଚ଼ିତ୍ରନାଟ୍ୟ ଉଭୟ କଳ୍ପନା ପ୍ରସୂତ, ତେଣୁ ବର୍ଣ୍ଣନାରେ ତାରତମ୍ୟକୁ ଦୋଷ ଦେଇ ହେବ ନାହିଁ । ତେବେ ସୃଜନରେ ଲେଖକର ଦୃଷ୍ଟିକୋଣ ଓ ଆବେଗ ପରିବର୍ତ୍ତନ ସ୍ରୋତରେ ଚଳଚ଼ିତ୍ରରେ ନିଷ୍ପ୍ରଭ ହୋଇଯିବାର ସଂଭାବନ ଅବଶ୍ୟ ରହିଥାଏ । ଲେଖକ ନାୟକ ସଂଜୟ ଜୀବନରେ ସମାଜର ସବୁତକ ଆବିଳତା ଠୁଳ କରିଦେଇଥିଲେ । କ୍ଷୁଦ୍ରଗଳ୍ପର ପ୍ରଥମ ଧାଡ଼ି, “ନିଜ ଘର ଭିତରକୁ ପଶି ଆସିଲେ ସଂଜୟର ବାନ୍ତି ଉଠେଇ ଆସେ ।” ପରବର୍ତ୍ତୀ ଧାଡ଼ିଗୁଡ଼ିକରେ “ସଂଜୟର ନିଜ ଘରେ ରହିବା ପାଇଁ ଆଦୌ ଆତ୍ମା ଡ଼ାକେ ନାହିଁ । ସେ ଘରର ଚାରି ପଟେ ଅଭାବ, ଅପମାନ ଓ ଅସହାୟତା । ଅଥଚ ଘରକୁ ଛାଡ଼ି କୁଆଡ଼େ ଯାଇପାରେ ନାହିଁ ।” ତା କଲେଜପଢ଼ା ଦିନର ପ୍ରେମିକା ଅନ୍ୟତ୍ର ବିବାହ କରିଚାଲିଯାଇଥାଏ । ତେବେ ସେହି ଘଟଣାଟିକୁ ସେ ଉଦାର ଚ଼ିତ୍ତରେ ଗ୍ରହଣ କରିନିଏ, “ସେଥିପାଇଁ ସେ କଲ୍ୟାଣୀକୁ ଦୋଷ ଦିଏ ନାହିଁ । ସେ ପ୍ରାକ୍ଟିକାଲ ଝିଅ । ସ୍ୱପ୍ନକୁ ନେଇ ବଞ୍ଚିବା ତା’ ପାଇଁ ଅର୍ଥହୀନ ।”

 

ସମକାଳୀନ ଓଡ଼ିଶାରେ ସ୍ଥାୟୀ ଶ୍ରମନିଯୁକ୍ତି ଅନ୍ୱେଷଣରେ ଥିବା ଶିକ୍ଷିତ ଯୁବ ସଂପ୍ରଦାୟର ପ୍ରତିକୂଳ ପରିସ୍ଥିତି ଓ ପରିବେଶରେ ସହାବସ୍ଥାନର ବିଭତ୍ସ ଚ଼ିତ୍ରାଙ୍କନ ହୁଏତ କ୍ଷୁଦ୍ରଗଳ୍ପଟିର ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଦିଗ । କ୍ଷୁଦ୍ରଗଳ୍ପ ବର୍ଣ୍ଣନାରେ ସଂଜୟର ବ୍ୟବସ୍ଥା ସହ ସାଲିସ ଅମାନବୀୟ ସ୍ତରକୁ ସଂପ୍ରସାରିତ । “କିନ୍ତୁ ବାପା ଯଦି ଶୀଘ୍ର ମରିଯାଆନ୍ତେ । ମାନେ ଏହି ସପ୍ତାହେ ଦି ସପ୍ତାହ ଭିତରେ ଯଦି ସେ ଆଖି ବୁଜି ଦିଅନ୍ତେ । ତା’ହେଲେ ସଂଜୟର କମ୍ପାନୀ ଚାକିରି ପାଇବାଟା ପକ୍କା ହୋଇଯାଆନ୍ତା । ଥରେ ଚାକିରିଟା ପାଇଗଲେ ଧାର କରଜ କରି ସେ ବାପାଙ୍କ ଶୁଦ୍ଧିଘର କାମ ସାରିନିଅନ୍ତା । ତାଙ୍କର ଅସ୍ଥି ବିସର୍ଜନ କରନ୍ତା ପ୍ରୟାଗରେ । ମାଆକୁ ତୀର୍ଥ ଯାତ୍ରା ସ୍ପେଶାଲ ଟ୍ରେନରେ ପଠାନ୍ତା । ସୁଶୀଳାର ବର ନାଁରେ ମୋକଦ୍ଦମା ଦାୟର କରନ୍ତା ମହିଳା କମିସନରେ । ସାନ ଭଉଣୀକୁ ଭଲ ବର ଦେଖି ବାହା ଦିଅନ୍ତା । ବାପାଙ୍କର ବାକିଆ କାମ ସବୁ ତୁଲେଇ ସାରିବାପରେ ସେ ନିଜ ପାଇଁ ସ୍ୱପ୍ନଟେ ଦେଖନ୍ତା, ଯେଉଁ ସ୍ୱପ୍ନକୁ ସେ ବର୍ଷ ବର୍ଷ ଧରି ନିଜ ଛାତି ଭିତରେ ଲୁଚ଼େଇ ରଖିଛି ।”

 

କ୍ଷୁଦ୍ରଗଳ୍ପରେ ସଂଜୟ ‘ନାୟକ’ ନା ‘ଖଳ-ନାୟକ’ ବା ‘ହିରୋ’ ନା ‘ଆଣ୍ଟି-ହିରୋ’ ପାଠକର ଦୃଷ୍ଟିଭଙ୍ଗୀ ଉପରେ ନିର୍ଭରଶୀଳ । ସ୍ଥୁଳ ବିଚାରରେ କ୍ଷୁଦ୍ରଗଳ୍ପରେ ସଂଜୟ ‘ଆଣ୍ଟି-ହିରୋ’ ହେଲେ ଚଳଚ଼ିତ୍ରରେ ‘ହିରୋ’ କି ? ଅନୁପମ ପଟ୍ଟନାୟକ କହିଛନ୍ତି ଯେ ଚ଼ିତ୍ରନାଟ୍ୟ ପ୍ରସ୍ତୁତିରେ ରୋଷନ ବିଷେୟୀଙ୍କ ସହ ସେ ଦେଢ଼ ବର୍ଷ ବିନିଯୋଗ କରିଛନ୍ତି । ପନ୍ଦର ଥର ଡ୍ରାଫଟ ବଦଳା ଯାଇଛି । ଏହା ସ୍ୱାଗତଯୋଗ୍ୟ । ଏଥିସହ ‘ପ୍ରତୀକ୍ଷା’ ପୋଷ୍ଟ-ପ୍ରଡ଼କସନ କାର୍ଯ୍ୟ ଚ଼େନ୍ନାଇ ଓ ମୁମ୍ୱାଇରେ ସମାପନ ହୋଇଛି ଏବଂ ଚଳଚ଼ିତ୍ର ସୁଟିଂ ପାଇଁ ଷ୍ଟୁଡ଼ିଓକୁ ଯାଇନାହିଁ । ପ୍ରାୟ ଷାଠିଏ ପ୍ରତିଶତ ପ୍ରତିଭା ନବାଗତ- ଏହି ସବୁ ପଦକ୍ଷେପ ସମକାଳରେ ଗୁରୁତ୍ୱବହନ କରେ । ତେବେ ବ୍ୟବସାୟ ପାଇଁ ସେ ଯେ ପ୍ରେକ୍ଷାଳୟ ପ୍ରଦର୍ଶନଉପରେ ନିର୍ଭର କରୁଛନ୍ତି, ଦୀର୍ଘ ସମୟ ପାଇଁ ଡ଼ିଜିଟାଲ ମଞ୍ଚକୁ ନଛାଡ଼ିବା ଲାଗି ଘୋଷଣା କରିଛନ୍ତି – ଏହା ଚଳନ୍ତି ପ୍ରବାହର ବିରୋଧ କରୁନାହିଁ କି ?

 

୫୩ ତମ ଭାରତୀୟ ଆନ୍ତର୍ଜାତିକ ଚଳଚ଼ିତ୍ର ଉତ୍ସବରେ ଅନୁପମ ଖେର କହିଥିଲେ ଯେ ଚଳଚ଼ିତ୍ରର ପରିଭାଷା ବଦଳିଛି । ଚଳଚ଼ିତ୍ର ପଦବାଚ୍ୟ ଚଳଚ଼ିତ୍ର ଭୌଗଳିକ ସୀମାପାର ଦର୍ଶକୀୟ ଆଦୃତି ଓ ବ୍ୟବସାୟ ସଂଭବ । ଓଡ଼ିଆ ଚଳଚ଼ିତ୍ର ଯଦି ସଙ୍କଟର ସମ୍ମୁଖୀନ ହୋଇଛି ତେବେ ବିଗତ ପଚାଶ ବର୍ଷର ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ସହ ସଂପୃକ୍ତ ପ୍ରତିଭାଙ୍କ ମାନସିକତା ଏଥିପାଇଁ ଦାୟୀ । ପଡ଼ୋଶୀ ବଙ୍ଗଳାରେ ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ଅନୁରୂପ ସଂକଟ ଉପୁଜିଥିଲା, କିନ୍ତୁ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ତାହା ସଂଶୋଧିତ ହେଲା । ‘ପ୍ରତୀକ୍ଷା’  ଓ ‘ଦମନ’ ଓଡ଼ିଆ ଚଳଚ଼ିତ୍ର ଶିଳ୍ପରେ ପରିବର୍ତ୍ତନର ପ୍ରତିଶୃତି ବହନ କରୁଛି ବୋଲି ଏଠାକାର ଚଳଚ଼ିତ୍ର କର୍ମୀମାନେ ବିଶ୍ୱାସ କରିବାକୁ ଶୁଭଙ୍କର ସୂଚ଼ନା ରୂପେ ଧରିନିଆଯାଇପାରେ । ଏଣିକି ଓଡ଼ିଆ ଲେଖକମାନେ କ୍ଷୁଦ୍ରଗଳ୍ପ ଲେଖିବାବେଳେ ସ୍ଥିର କରି ନିଅନ୍ତୁ ଯେ ସେମାନଙ୍କ ଲେଖାଟି ମୁଦ୍ରିତ ହେବା ସଙ୍ଗେ ସର୍ଟଫିଲ୍ମ ବା ଫିଚ଼ରଫିଲ୍ମ ଭାବେ ଭିଡ଼ିଓ ସଂସ୍କରଣ ମଧ୍ୟ ପ୍ରକାଶନର ସଂଭାବନା ରହିଛି – ତେଣୁ ନିଷ୍ଠା ପ୍ରତିପାଳନ କରନ୍ତୁ । ସୃଜନରେ ଏହିଭଳି ସାମାନ୍ୟ ପରିବର୍ତ୍ତନର ଧାରା ଓଡ଼ିଆ ସଂସ୍କୃତି ପ୍ରସାରରେ ସୁଦୂରପ୍ରସାରୀ ପ୍ରଭାବ ପକାଇପାରିବ ।

 

ଚଳଚ଼ିତ୍ର ଉତ୍ସବ ‘ଟେବଲ-ଟକ’ର ଭିଡ଼ିଓ ଦେଖିବା ନିମନ୍ତେ କ୍ଳିକ କରନ୍ତୁ ;

 

IFFI53 : IFFI Table Talks – 9 /Indian Panorama / Pratikshya, Siya, The Kashmir Files on You Tube

 

https://youtu.be/xTpy718NLKU   

            


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଡ଼ିସେମ୍ୱର ୨୦୨୨


ତଥ୍ୟ :

 

 

‘Made with love and passion’ : Odia Director Anupam Patnaik’s ‘Pratikshya’ To hit theatres this December – Odishabytes.

 

https://odishabytles.com/odia-producer-cum-director-anupam-patnaiks=movie-pratikshya-to-hit-theatres-this-december/