ଅନ୍ୟାନ୍ୟ

ଗଣମାଧ୍ୟମରେ ସଂପୃକ୍ତି

ବିଶ୍ୱବ୍ୟାପୀ ଗଣମାଧ୍ୟମରେ ନାଗରିକଙ୍କ ସଂପୃକ୍ତି ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ଦୃତ ବୃଦ୍ଧି ସାମାଜିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଥାଏ । ପଞ୍ଚଦଶ ଶତାଦ୍ଦୀରୁ ମୁଦ୍ରଣ କାରିଗରୀ କୌଶଳ ବିକଶିତ ହୋଇଆସିଥିଲେ ହେଁ ଭାରତରେ ଊନବିଂଶ ଶତାଦ୍ଦୀରେ ମୁଦ୍ରିତ ସମ୍ୱାଦପତ୍ର ପ୍ରଭାବଶାଳୀ ବିବେଚ଼ିତ ହୋଇଥିଲା । ବିଂଶ ଶତାଦ୍ଦୀ ପ୍ରଥମ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ରେଡ଼ିଓ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଟେଲିଭିଜନ ସପ୍ତମ ଦଶକରେ ଉପଗ୍ରହ ପ୍ରସାରଣ ଆରମ୍ଭ ହେବାପରେ ଅନଗ୍ରସର ଅଞ୍ଚଳକୁ ସଂପ୍ରସାରିତ ହେଲା । ତେବେ ବିଂଶ ଶତାଦ୍ଦୀ ଶେଷାର୍ଦ୍ଧରେ ଉଦ୍ଭାବିତ ଇଣ୍ଟରନେଟ ମାତ୍ର ପଚ଼ାଶ ବର୍ଷ ମଧ୍ୟରେ ବିଶ୍ୱର ଅର୍ଦ୍ଧେକ ଜନସଂଖ୍ୟାଙ୍କ ହାତପାଆନ୍ତାରେ ପ୍ରମୁଖ ଯୋଗାଯୋଗର ମାଧ୍ୟମ ରୂପେ ପ୍ରତିଷ୍ଠିତହୋଇପାରିଛି । ସେହିପରି ମୋବାଇଲ ସ୍ମାର୍ଟଫୋନର ଲୋକପ୍ରିୟତା ମାତ୍ର ଦଶବର୍ଷ ମଧ୍ୟରେ ପୂର୍ବ ପ୍ରଚଳିତ ସମସ୍ତ ଯୋଗାଯୋଗ ମାଧ୍ୟମକୁ ପଛରେ ପକାଇ ଦେଇଛି ।


 

ଜଗତୀକରଣ ପରିବେଶ ବୈଷୟିକ ଜ୍ଞାନକୌଶଳ ଭୌଗଳିକ ସୀମା ପାରହେବା ନିମନ୍ତେ ଖୁବ କମ ସମୟ ଆବଶ୍ୟକ କରୁଛି । ଉଦାହରଣରେ ଟେଲିଯୋଗାଯୋଗ କ୍ଷେତ୍ରରେ ପ୍ରଥମ ପୀଢ଼ି ୧ଜି କାରିଗରୀ କୌଶଳ ଯୋଗେ ଭଏସକଲ ୧୯୬୧ ଓ ୨ଜି ଟେକ୍ସଟ ମେସେଜିଂ ୧୯୯୧ରେ ଉଦ୍ଭାବିତ ହେଇଥିଲେ ହେଁ ଭାରତରେ ବିଂଶ ଶତାଦ୍ଦୀ ଶେଷ ବେଳକୁ ପହଞ୍ଚିଥିଲା । ୩ଜି ଯୋଗେ ଇଣ୍ଟରନେଟ ସଂଯୁକ୍ତି ୧୯୯୮ରେ ଉଦ୍ଭାବିତ ହେବା ଦଶ ବର୍ଷ ଏବଂ ୪ଜିରେ ଭିଡ଼ିଓ ପ୍ରସାରଣ ୨୦୦୮ରେ ଉଦ୍ଭାବିତ ହେବା ପାଞ୍ଚବର୍ଷ ପରେ ଦେଶରେ ପ୍ରଚଳିତ ହୋଇଥିଲା । ତେବେ ଚ଼ାଳକବିହୀନ ମଟରଗାଡ଼ି ଓ ଦୂରଦୂରାନ୍ତରେ ରୋବୋଟିକ ଶଲ୍ୟଚ଼ିକିତ୍ସା ଭଳି କାର୍ଯ୍ୟ ତୁଲାଇବା ପାଇଁ ଯୋଗାଯୋଗରେ ସକ୍ଷମ ୫ଜି ୨୦୧୯ ଏପ୍ରିଲ ମାସରେ ଦକ୍ଷିଣ କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଆରମ୍ଭ ହୋଇଥିବା ସ୍ଥଳେ ୨୦୧୯ ସେପ୍ଟେମ୍ୱର ମାସ ସୁଦ୍ଧା ଭାରତରେ ବ୍ୟବହୃତ ହେବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଟେଲିଯୋଗାଯୋଗ ଉପଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସାମାଜିକସ୍ତରରେ ବିଭିନ୍ନ କାର୍ଯ୍ୟକ୍ଷେତ୍ରକୁ ପ୍ରଭାବିତ କରିବାରେ ଲାଗିଛି ।


 

ଯୁକ୍ତରାଷ୍ଟ୍ର ଆମେରିକାର ବ୍ୟାବସାୟିକ ଗବେଷଣା ପ୍ରତିଷ୍ଠାନ ‘ଇ-ମାର୍କଟେର’ପକ୍ଷରୁ ଆନ୍ତର୍ଜାତିକସ୍ତରରେ ନଅଗୋଟି ରାଷ୍ଟ୍ରର ନାଗରିକଙ୍କ ଗଣଯୋଗାଯୋଗ ବ୍ୟବହାର ଅଭ୍ୟାସ ସର୍ବେକ୍ଷଣ ‘ସର୍ଭେ’ କରାଯାଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା, ସଂଯୁକ୍ତ ରାଷ୍ଟ୍ରପୁଞ୍ଜ, କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଚ଼ୀନ, ଜାପାନ, ଦକ୍ଷିଣ କୋରିଆ ଓ ଭାରତରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ଦୈନନ୍ଦିନ ଗଣମାଧ୍ୟମ ବ୍ୟବହାର ସଂପର୍କୀତ ସଂଗୃହୀତ ତଥ୍ୟାବଳୀ ଆଧାରରେ ୨୦୧୯ ମେ’ ମାସରେ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକମାନେ ହାରାହାରି ଦୈନିକଭିତ୍ତିରେ ସର୍ବାଧିକ ୧୨.୦୯ ଘଣ୍ଟା ଓ ଭାରତରେ ସର୍ବନିମ୍ନ ୪.୫୯ ଘଣ୍ଟା ଗଣମାଧ୍ୟମରେ ସଂପୃକ୍ତ ରହିଥାନ୍ତି । ଅଧ୍ୟୟନରେ ସନ୍ନିବଶିତ ଅନ୍ୟାନ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ଫ୍ରାନ୍ସରେ ୧୦.୦୬ ଘଣ୍ଟା, ଜର୍ମାନୀରେ ୯.୫୬ ଘଣ୍ଟା, କାନାଡ଼ାରେ ୯.୫୦ ଘଣ୍ଟା, ସଂଯୁକ୍ତ ରାଷ୍ଟ୍ରପୁଞ୍ଜରେ ୯.୩୮ ଘଣ୍ଟା, ଦକ୍ଷିଣ କୋରିଆରେ ୭.୩୬ ଘଣ୍ଟା, ଜାପାନରେ ୭.୧୭ ଘଣ୍ଟା ଓ ଚ଼ୀନରେ ୬.୩୯ ଘଣ୍ଟା ନାଗରିକମାନେ ଦୈନିକ ହାରାହାରି ବିଭିନ୍ନ ଗଣମାଧ୍ୟମ ମଞ୍ଚ ବ୍ୟବହାରରେ ସମୟ ଅତିବାହିତ କରିଥାନ୍ତି ।


 

କୁହାଯାଉଛି ଯେ ୨୦୧୯ରେ ପ୍ରଥମଥର ପାଇଁ ମାର୍କିନ ନାଗରିକମାନେ ପାରମ୍ପରିକ ଟେଲିଭିଜନ ବଦଳରେ ମୋବାଇଲ ଉପକରଣଗୁଡ଼ିକରେ ଅଧିକ ସମୟ ଉପଯୋଗ କରିବେ । ମୋବାଇଲ କହିଲେ ଲ୍ୟାପଟପ, ଟେବଲେଟ, ସ୍ମାର୍ଟଫୋନ ଭଳି ଯାବତୀୟ ହେଣ୍ଡ-ହେଲଡ଼-କମ୍ପ୍ୟୁଟିଂ ଡିଭାଇସେସକୁ ବୁଝାଇଥାଏ । ଏଥିମଧ୍ୟରେ ସ୍ମାର୍ଟଫୋନର ବ୍ୟବହାର ସର୍ବାଧିକ ସମୟ ଦାବୀଦାର । ଯୁକ୍ତରାଷ୍ଟ୍ର ଆମେରିକାରେ ଗଣମାଧ୍ୟମ ମଞ୍ଚ ବ୍ୟବହାର କ୍ଷେତ୍ରରେ ସମୟକ୍ରମେ ପାରମ୍ପରିକ ଟେଲିଭିଜନରୁ ଉପଭୋକ୍ତାଙ୍କ ସଂଖ୍ୟା ମୋବାଇଲ ଉପକରଣ ପର୍ଦ୍ଦାକୁ ସ୍ଥାନାନ୍ତରିତ ହେବାରେ ଲାଗିଛି । ସେଠାରେ ୨୦୧୯ରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଟେଲିଭିଜନ ଦେଖାରେ ଦୈନିକ ୩.୩୫ ଘଣ୍ଟା ବିତାଇବା ସ୍ଥଳେ ମୋବାଇଲ ଫୋନରେ ୩.୪୩ ଘଣ୍ଟା କଟାଇବା ହିସାବ କରାଯାଇଛି । ୨୦୧୪ରେ ସେମାନେ ଟେଲିଭିଜନରେ ୪.୨୦ ଘଣ୍ଟା ଓ ମୋବାଇଲରେ ୨.୩୨ ଘଣ୍ଟା ବିତାଇଥିବା ସ୍ଥଳେ ୨୦୨୧ ସୁଦ୍ଧା ଟେଲିଭିଜନରେ ୩.୨୨ ଘଣ୍ଟା ଓ ମୋବାଇଲରେ ୩.୫୪ ଘଣ୍ଟା କଟାଇବା ଆକଳନ କରାଯାଉଛି ।


 

ମୋବାଇଲ ବ୍ୟବହାରରେ ଦକ୍ଷିଣ କୋରିଆରେ ସର୍ବାଧିକ ୮୯ ପ୍ରତିଶତ ଓ ଭାରତରେ ସର୍ବନିମ୍ନ ୨୯.୬ ପ୍ରତିଶତ ଉପଭୋକ୍ତା ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି । ‘ଜେନିଥ ଇଣ୍ଡିଆ’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତରେ ମୋବାଇଲ ଇଣ୍ଟରନେଟର ବ୍ୟବହାର ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ୨୦୧୩ରେ ଉପଭୋକ୍ତା ପିଚ୍ଛା ମୋବାଇଲ ଇଣ୍ଟରନେଟ ବ୍ୟବହାର ଦୈନିକ ମାତ୍ର ୯ ରୁ ୧୦ ମିନଟ ହିସାବ କରାଯାଇଥିବା ସ୍ଥଳେ ୨୦୧୯ରେ ୫୪ ମିନଟକୁ ବୃଦ୍ଧି ପାଇଛି ଏବଂ ୨୦୨୧ ସୁଦ୍ଧା ୭୯ ମିନଟରେ ପହଞ୍ଚିବା ଆଶା କରାଯାଉଛି ।


 

ସ୍ମାର୍ଟଫୋନ ବ୍ୟବହାର ଅଭ୍ୟାସ ସଂପର୍କରେ ସଂଗୃହୀତ ତଥ୍ୟ ବିଶ୍ଳେଷଣରୁ ଜଣାଯାଇଛି ଯେ ଉପଭୋକ୍ତାମାନେ ଅଧିକ ସମୟ ବିଭିନ୍ନ ଆପ୍ଲିକେସନରେ ସମୟ କଟାଇଥାନ୍ତି । ମାର୍କିନ ନାଗରିକମାନେ ଦୈନିକ ହାରାହାରି ୨.୫୭ ଘଣ୍ଟା ଆପ ବ୍ୟବହାରରେ ଅତିବାହିତ କରୁଥିବା ଜଣାଯାଏ । ଆପ ମଞ୍ଚରେ ଡ଼ିଜିଟାଲ ଅଡ଼ିଓ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ । ଏହି କାରଣରୁ ସେଠାରେ ସମ୍ୱାଦଠାରୁ ସ୍ୱାସ୍ଥ୍ୟରକ୍ଷା, ଶିକ୍ଷା, ରନ୍ଧଣା, ବ୍ୟାୟମ ଯାଏଁ ପ୍ରତ୍ୟେକ ବିଷୟରେ ପଡ଼କାଷ୍ଟ ନବୀନ ଗଣମାଧ୍ୟମ ମଞ୍ଚରୂପେ ବିକଶିତ ହେବାରେ ଲାଗିଛି ।


 

ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଗବେଷକମାନଙ୍କ ମତରେ ବହୁଳଭାବେ ମୋବାଇଲ ବ୍ୟବହାର କରୁଥିବା ରାଷ୍ଟ୍ରଗୁଡ଼ିକର ଉପଭୋକ୍ତାମାନେ କ୍ରମଶଃ ନିଜ ଅଭ୍ୟାସର ଆତ୍ମସମୀକ୍ଷା ଆରମ୍ଭ କରିସାରିଲେଣି । ଏହି ଧାରାରେ ୨୦୨୦ ସୁଦ୍ଧା ମୋବାଇଲ ଯୋଗାଯୋଗ ଉପକରଣ ବ୍ୟବହାର ଯଥାସଂଭବ କମ ବ୍ୟବହାର କରିବା ନିମନ୍ତେ ଉଦ୍ୟମ କରିବେ । ଅନ୍ୟପକ୍ଷରେ ଗୁଗୁଲ ଓ ଆପଲ ଭଳି ପ୍ରମୁଖ ମୋବାଇଲ ମଞ୍ଚଗୁଡ଼ିକ ପକ୍ଷରୁ ବିଭିନ୍ନ ଆପ୍ଲିକେସନ ବ୍ୟବହାରରେ ଦୀର୍ଘ ସମୟ ବିନିଯୋଗକୁ ନିରୁତ୍ସାହିତ କରିବା ନିମନ୍ତେ ବୈଷୟିକ କୌଶଳ ସଂପୃକ୍ତ ଆପଗୁଡ଼ିକରେ ସନ୍ନିବଶିତ କରିବା ନିମନ୍ତେ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଛି । ଅତଏବ ୨୦୨୦ ପରେ ଅନ୍ତତଃପକ୍ଷେ ବିକଶିତ ରାଷ୍ଟ୍ରଗୁଡ଼ିକରେ ମୋବାଇଲ ଉପକରଣ ବ୍ୟବହାରରେ ସ୍ଥିରତା ଆସିଯିବା କିମ୍ୱା ହ୍ରାସପାଇବା ଆଶା ଯୁକ୍ତିଯୁକ୍ତ ମନେହୁଏ ।


 

ଚୀନରେ ଇଣ୍ଟରନେଟ ବ୍ୟବହାରର ଅର୍ଦ୍ଧେକ ସମୟ ମୋବାଇଲ ଉପକରଣ ଯୋଗେ ସମାହିତ ହେଉଥିବା ଜଣାଯାଏ । ଅନୁଧ୍ୟାନ ଅନୁଯାୟୀ ୨୦୧୯ ସୁଦ୍ଧା ଚୀନବାସୀ ଦୈନିକଭିତ୍ତିରେ ହାରାହାରି ୩.୫୪ ଘଣ୍ଟା ଡ଼ିଜିଟାଲ ଏବଂ ୨.୪୪ ଘଣ୍ଟା ପାରମ୍ପରିକ ଗଣମାଧ୍ୟମ ମଞ୍ଚରେ ଅତିବାହିତ କରୁଛନ୍ତି । ସରକାରୀ ଯୋଜନାରେ ଚୀନର ଗ୍ରାମାଞ୍ଚଳରେ ଇଣ୍ଟରନେଟ ସଂଯୁକ୍ତି ବୃଦ୍ଧି ଡ଼ିଜିଟାଲ ମଞ୍ଚ ଉପଯୋଗରେ ସହାୟକ ହେବାରେ ଲାଗିଛି । ନିକଟ ଭବିଷ୍ୟତରେ ସେଠାରେ ପାରମ୍ପରିକ ସମ୍ୱାଦପତ୍ର ଓ ଟେଲିଭିଜନର ଲୋକପ୍ରିୟତା ହ୍ରାସ ପାଇବା ପୁର୍ବାନୁମାନ କରାଯାଉଛି । ତେବେ ରେଡ଼ିଓର ସ୍ଥିତି ବଜାୟ ରହିବା କୁହାଯାଉଛି ।  ଅନ-ଲାଇନ ପରିବେଶରେ ଉଲ୍ଲେଖନୀୟ ଅଗ୍ରଗତି ସତ୍ତ୍ୱେ ଚୀନର ୩୧.୯ ପ୍ରତିଶତ ନାଗରିକ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଛନ୍ତି ।


 

ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମ ପରିବେଶରେ ବୈଷୟିକ ଅଭିବୃଦ୍ଧି ଓ ଉପଭୋକ୍ତାଙ୍କ ଅଭ୍ୟାସର ବିବରଣୀ ଅଧ୍ୟୟନ ଭାରତରେ ସମ୍ଭାବ୍ୟ ଭବିଷ୍ୟତର ଚିତ୍ର ଅଙ୍କନରେ ସହାୟକ ହୋଇଥାଏ । ଆମ ଦେଶରେ ଅର୍ଦ୍ଧେକ ଜନସଂଖ୍ୟା ୨୦୧୯ ସୁଦ୍ଧା ଇଣ୍ଟରନେଟ ସେବାରୁ ବଞ୍ଚିତ ଥିବା ତଥା ଚୀନ ଭଳି ଗ୍ରାମାଞ୍ଚଳରେ ଇଣ୍ଟରନେଟ ସଂଯୁକ୍ତି ପ୍ରସାରଲାଗି ସରକାରୀ ପ୍ରୋତ୍ସାହନ ନୀତି କ୍ରମଶଃ ପାରମ୍ପରିକ ଟେଲିଭିଜନ ଓ ସମ୍ୱାଦପତ୍ରରୁ ଉପଭୋକ୍ତାଙ୍କୁ ଦୂରେଇ ନେବା ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି । ସେହିପରି ଯୁକ୍ତରାଷ୍ଟ୍ର ଆମେରିକାଭଳି ରାଷ୍ଟ୍ରଗୁଡ଼ିକରେ ଡିଜିଟାଲ ଅଡିଓର ବ୍ୟବହାର ଅଶିକ୍ଷିତ ଓ ଅଳ୍ପଶିକ୍ଷିତ ଭାରତୀୟ ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ବୃଦ୍ଧି ପାଇବା ଅନୁମାନ କରାଯାଇପାରେ ।


 

ମୋଟାମୋଟି ଭାବେ ସମଗ୍ର ଗଣମାଧ୍ୟମ ସଂପୃକ୍ତିରେ ଭାରତୀୟ ଉପଭୋକ୍ତା ଦୈନିକ ହାରାହାରି ପାଞ୍ଚ ଘଣ୍ଟା କୋଡିଏ ମିନଟ ବିତାଉଥିବାବେଳେ ବିକଶିତ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବୋଚ୍ଚ ସୀମା ବାରଘଣ୍ଟା ସଂପୃକ୍ତିର ଉଦାହରଣ ପ୍ରଚଳିତ ସାମାଜିକ ବ୍ୟବସ୍ଥାରେ ସମ୍ଭାବ୍ୟ ଓଲଟପାଲଟର ସୂଚ଼ନା ଦେଇଥାଏ । ଚୀନ, ଜାପାନ ଓ ଦକ୍ଷିଣ କୋରିଆରେ ପ୍ରଚଳିତ ଦୈନିକ ସାଢ଼େ ଛଅ ଘଣ୍ଟାରୁ ସାଢ଼େ ସାତ ଘଣ୍ଟା ଗଣମାଧ୍ୟମ ସଂପୃକ୍ତି ଭାରତରେ ନିକଟ ଭବିଷ୍ୟତରେ ପ୍ରତିଫଳିତ ହେବା ଯୁକ୍ତିଯୁକ୍ତ ମନେହୁଏ । 



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୧



Dolliver, Mark. Time spent with media 2019. May 30, 2019 



<https://www.emarketer.com/content/time-spent-with-media-2019>


 

Average US time spent with mobile in 2019 has increased. June 4, 2019 



<https://www.emarketer.com/content/average-us-time-spent-with-mobile-in-2019-has-increased>


 

In China, adults spend half their media time online. June 7, 2019

 


<https://www.emarketer.com/content/in-china-adults-spend-half-their-media-time-online>


 

Mobile internet consumption to touch 79 minutes a day by 2021. The Times of India (Bhubaneswar Edition). June 11, 2019.

ଗଣମାଧ୍ୟମ ମଞ୍ଚ ବ୍ୟବହାରରେ ନୂତନ ସମୀକରଣ

ମାନବ ସଭ୍ୟତାର ଇତିହାସରେ ପ୍ରଥମଥର ପାଇଁ ୨୦୧୮ ଶେଷ ସୁଦ୍ଧା ବିଶ୍ୱର ଅର୍ଦ୍ଧେକ ଜନସଂଖ୍ୟା ଇଣ୍ଟରନେଟ ସଂଯୁକ୍ତି ହାସଲ କରିଛନ୍ତି । ଜାତିସଂଘ ପ୍ରାୟୋଜିତ ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିଅନର ହିସାବ ଅନୁଯାୟୀ ୩୯୦ କୋଟି ଜନସାଧାରଣଙ୍କ ନିକଟରେ ଇଣ୍ଟରନେଟ ସୁବିଧାସୁଯୋଗ ପହଞ୍ଚିପାରିଥିବା ସ୍ଥଳେ ୯୦ ପ୍ରତିଶତ ଉପଭୋକ୍ତା ୩ଜି ଭଳି ହାଇସ୍ପିଡ଼ ଇଣ୍ଟରନେଟ ବ୍ୟବହାର କରୁଛନ୍ତି । ଆନ୍ତର୍ଜାତିକସ୍ତରରେ ୯୬ ପ୍ରତିଶତ ଜନସାଧାରଣ ମୋବାଇଲ ଯୋଗାଯୋଗ ନେଟୱାର୍କ ପରିଧିରେ ଅନ୍ତର୍ଭୁକ୍ତ । ସମାଜତତ୍ତ୍ୱବିତମାନେ ଏଭଳି ପରିବେଶକୁ ଐତିହାସିକ ସମୃଦ୍ଧିଭାବେ ବିଚ଼ାର କରୁଥିବା ସ୍ଥଳେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ପ୍ରତି ଆଶା ବାନ୍ଧିଛନ୍ତି ।


 

ଭାରତରେ ଇଣ୍ଟରନେଟ ପ୍ରସାର, ସଂଯୋଗ ଓ ବ୍ୟବହାର କ୍ଷେତ୍ରରେ ୨୦୧୮ରେ ଅଗ୍ରଗତି ଅବ୍ୟାହତ ରହିଥିଲା । ଡ଼ିସେମ୍ୱର ପ୍ରଥମ ସପ୍ତାହରେ କେନ୍ଦ୍ର ଟେଲିକମ ମନ୍ତ୍ରୀ ଘୋଷଣା କରିଥିଲେ ଯେ ‘ଭାରତ ନେଟ’ ଯୋଜନାରେ ସରକାର ସମଗ୍ର ଦେଶରେ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଇଦେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ୨୦୧୯ ସୁଦ୍ଧା ଅଢ଼େଇଲକ୍ଷ ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମରେ ଇଣ୍ଟରନେଟ ସଂଯୁକ୍ତି ସଂଭବପର । ଆନ୍ତର୍ଜାତିକସ୍ତରରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ୨୦୧୮ ଶେଷ ସୁଦ୍ଧା ୪୫.୩ ପ୍ରତିଶତ ଇଣ୍ଟରନେଟ ସଂଯୁକ୍ତି ବ୍ୟାପ୍ତ ହୋଇଥିବା ସ୍ଥଳେ ଭାରତର ପଦକ୍ଷେପ ଗୁରୁତ୍ୱ ବହନ କରିଥାଏ ।


 

ଆମଦେଶରେ ମୁଣ୍ଡପିଛା ଗଣମାଧ୍ୟମ ବ୍ୟବହାର ପରିମାଣ କ୍ରମଶଃ ବୃଦ୍ଧିପ୍ରାପ୍ତ ହେଉଥିଲେ ହେଁ ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ପଛୁଆ ରହୁଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଜନସାଧାରଣ ଦୈନିକ ୧୧.୮ ଘଣ୍ଟା ଓ ଚୀନରେ ଦୈନିକ ୬.୪ ଘଣ୍ଟା ଗଣମାଧ୍ୟମ ବ୍ୟବହାରରେ ବିତାଉଥିବା ସ୍ଥଳେ ଭାରତରେ ୨୦୧୮ରେ ଜନସାଧାରଣ ଦୈନିକ ୪.୬ ଘଣ୍ଟା ଗଣମାଧ୍ୟମର ବିଭିନ୍ନ ମଞ୍ଚ ବ୍ୟବହାର କରୁଥିବା ହିସାବ କରାଯାଇଛି ।‘କନଫଡ଼ରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରୀଜ’ ଓ ‘ବୋଷ୍ଟନ କନସଲଟିଂ ଗୃପ’ ପକ୍ଷରୁ ପ୍ରସ୍ତୁତ ‘ୱାନ କନଜ୍ୟୁମର, ମେନି ଇଣ୍ଟରାକସନ୍ସ’ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୨ ରୁ ୨୦୧୮ ମଧ୍ୟରେ ଛଅ ବର୍ଷ ଧରି ଭାରତୀୟମାନଙ୍କ ଗଣମାଧ୍ୟମ ଦୈନିକ ବ୍ୟବହାର ସମୟସୀମା ବାର୍ଷିକ ନଅ ପ୍ରତିଶତ ହାରରେ ବଢ଼ି ଚାଲିଛି । ଏହି ଅଭିବୃଦ୍ଧି ହାର ଚ଼ୀନରେ ୪ ପ୍ରତିଶତ ଓ ଆମେରିକାରେ ଏକ ପ୍ରତିଶତରେ ସୀମିତ ରହିଛି । ଅତଏବ ଭାରତରେ ନିକଟ ଭବିଷ୍ୟତରେ ଗଣମାଧ୍ୟମ ବ୍ୟବହାର କ୍ଷୀପ୍ରଗତିରେ ବୃଦ୍ଧି ପାଇବାସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ।


 

ଆମେରିକା ଓ ଚୀନ ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ଡ଼ିଜିଟାଲ ମଞ୍ଚଗୁଡ଼ିକର ବ୍ୟବହାର ବୃଦ୍ଧି ସଙ୍ଗେ ମୁଦ୍ରଣ, ରେଡ଼ିଓ ଓ ଟେଲିଭିଜନ ଭଳି ପାରମ୍ପରିକ ମଞ୍ଚଗୁଡ଼ିକରେ ଉପଭୋକ୍ତାଙ୍କ ଉପସ୍ଥିତି ହ୍ରାସ ପାଉଥିବା ସ୍ଥଳେ ଭାରତରେ ଡ଼ିଜିଟାଲ ଓ ପାରମ୍ପରିକ ଗଣମାଧ୍ୟମ ମଞ୍ଚ ବ୍ୟବହାରରେ ଭିନ୍ନ ସମୀକରଣ ଦେଖିବାକୁ ମିଳୁଛି । ଭାରତୀୟ ସକ୍ରିୟ ଗଣମାଧ୍ୟମ ଉପଭୋକ୍ତାଙ୍କ ଟେଲିଭିଜନ ଉପଭୋଗ ସମୟସୀମା ୨୦୧୨ରେ ଦୈନନ୍ଦିନ ଗଣମାଧ୍ୟମ ବ୍ୟବହାରର ୭୧ ପ୍ରତିଶତ ଓ ୨୦୧୫ରେ ୬୧ ପ୍ରତିଶତ ଗଣିତ କରାଯାଉଥିବାସ୍ଥଳେ ୨୦୧୮ରେ ତାହା ୫୯ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ମୁଦ୍ରଣ ଗଣମାଧ୍ୟମ ବ୍ୟବହାର ସମୟସୀମା ୨୦୧୨ରେ ୯ ପ୍ରତିଶତ, ୨୦୧୫ରେ ୮ ପ୍ରତିଶତ ଥିବାସ୍ଥଳେ ୨୦୧୮ରେ ୭ ପ୍ରତିଶତକୁ ହ୍ରାସ ପାଇଛି । ରେଡ଼ିଓ ବ୍ୟବହାର ସମୟସୀମା ୬ ପ୍ରତିଶତରେ ସୀମିତ ରହିଥିବା ସ୍ଥଳେ ଡ଼ିଜିଟାଲ ମଞ୍ଚ ବ୍ୟବହାର ସମୟସୀମା ୨୦୧୨ରେ ୧୪ ପ୍ରତିଶତ ଓ ୨୦୧୫ରେ ୨୬ ପ୍ରତିଶତ ହିସାବ କରାଯାଇଥିବା ସ୍ଥଳେ ୨୦୧୮ରେ ୫୯ ପ୍ରତିଶତକୁ ବୃଦ୍ଧିପ୍ରାପ୍ତ ହୋଇଛି ।ଏହି ହିସାବରେ ଜଣେ ଉପଭୋକ୍ତା ସମସ୍ତ ଗଣମାଧ୍ୟମ ମଞ୍ଚ ବ୍ୟବହାର କରୁଥାଇନପାରେ ।


 

ଉପରୋକ୍ତ ତଥ୍ୟ ବିଶ୍ଳେଷଣରୁ ଜଣାଯାଏ ଯେ ଭାରତୀୟମାନେ ଦୈନନ୍ଦିନ ଗଣମାଧ୍ୟମ ବ୍ୟବହାରର କାର୍ଯ୍ୟସୂଚ଼ୀରେ କ୍ରମଶଃ ମୁଦ୍ରଣ ମଞ୍ଚରୁ ଓହରି ଆସୁଥିବା ସ୍ଥଳେ ଡ଼ିଜିଟାଲ ମଞ୍ଚ ଆଡ଼କୁ ଆକର୍ଷିତ ହେଉଛନ୍ତି । ତେବେ ଟେଲିଭିଜନ କାର୍ଯ୍ୟକ୍ରମର ଲୋକପ୍ରିୟତା ହ୍ରାସ ପାଇ ନାହିଁ । ଇଣ୍ଟରନେଟ ଉପଭୋକ୍ତାମାନେ ସର୍ବାଧିକ ସମୟ ଭିଡ଼ିଓ ଉପଭୋଗରେ ସଂପୃକ୍ତ ରହୁଥିବା ଅବସରରେ ଇଣ୍ଟରନେଟ ମଞ୍ଚରେ ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋଗଲାଗି ନୂତନ ଅବକାଶ ସୃଷ୍ଟି କରିଛି । ଭାରତରେ ଇଣ୍ଟରନେଟ ବ୍ୟବହାରରେ ମୋବାଇଲ ଫୋନ ପ୍ରାଥମିକତା ହାସଲ କରିଥିବା ‘ମୋବାଇଲ ଫାଷ୍ଟ’ ପରିବେଶରେ ଟେଲିଭିଜନ ନିଜର ଗୁରୁତ୍ୱ ବଜାୟ ରଖିପାରିଛି । କନଫଡ଼ରେସନ ଅଫ ଇଣ୍ଡିଆନ ଇଣ୍ଡାଷ୍ଟ୍ରୀଜ ରିପୋର୍ଟରେ ଏହି ଧାରା ଦୀର୍ଘଦିନ ଧରି ବଳବତ୍ତର ରହିବ ବୋଲି ଆଶା ପ୍ରକାଶ କରାଯାଇଛି ।


 

ଭାରତୀୟମାନେ ପ୍ରତ୍ୟେହ ବିଭିନ୍ନ ମଞ୍ଚରେ ୧୯୦ ମିନଟ ଭିଡ଼ିଓ ଦେଖିଥାନ୍ତି । ୨୦୧୩ରୁ ୨୦୧୮ ମଧ୍ୟରେ ପାଞ୍ଚ ବର୍ଷ ଧରି ଭିଡ଼ିଓ ଉପଭୋଗ ସମୟସୀମା ବାର୍ଷିକ ଆଠ ପ୍ରତିଶତ ହାରରେ ବଢ଼ିଚ଼ାଲିଛି । ଆଠ ଶହରୁ ଉର୍ଦ୍ଧ୍ୱ ଟେଲିଭିଜନ ଚ଼୍ୟାନେଲ ସହ ତିରିଶିରୁ ଉର୍ଦ୍ଧ୍ୱ ଡ଼ିଜିଟାଲ ମଞ୍ଚରୁ ପ୍ରତ୍ୟେକ ଉପଭୋକ୍ତା ନିର୍ବାଚ଼ିତ ୧୦ ରୁ ୧୫ ଚ଼୍ୟାନେଲ ଓ ୨ ରୁ ୩ ‘ଆପ’ରୁ ଭିଡ଼ିଓ ଆହରଣ କରୁଥିବା ଗବେଷଣାରୁ ଜଣାଯାଇଛି ।


 

ଆମ ଦେଶରେ ୨୫ କୋଟି ଅନ-ଲାଇନ ଭିଡ଼ିଓ ଉପଭୋକ୍ତାଙ୍କ ମଧ୍ୟରେ ୧୦ କୋଟି ଉପଭୋକ୍ତା ‘ଓଭର-ଦି-ଟପ’(ଓଟିଟି) ଗ୍ରାହକ । ନେଟଫ୍ଳିକ୍ସ, ଆମେଜନ, ହଟଷ୍ଟାର, ଭୁତ ବା ଜୀ୫ ଭଳି ଓଟିଟି ମଞ୍ଚରେ ଭିଡ଼ିଓ ଉପଭୋଗ କରିବା ନିମନ୍ତେ ଉପଭୋକ୍ତାଙ୍କୁ ଚ଼ାନ୍ଦା ଦେବାକୁ ପଡ଼ିଥାଏ ।‘ମୋବାଇଲ ମାର୍କେଟିଂ ଏସୋସିଏସନ’ ପକ୍ଷରୁ ‘ଗୃପ-ଏମ’ ସହାୟତାରେ ପ୍ରସ୍ତୁତ ‘ମୋବାଇଲ ଇକୋସିଷ୍ଟମ ଏଣ୍ଡ ଏଡ୍-ସାଇଜିଂ’ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତୀୟ ଇଣ୍ଟରନେଟ ଉପଭୋକ୍ତାମାନଙ୍କ ମଧ୍ୟରେ ବହୁଳ ବ୍ୟବହୃତ ତିନିଗୋଟି ବିଷୟ ମଧ୍ୟରେ ମନୋରଞ୍ଜନ ଅନ୍ତର୍ଭୁକ୍ତ । ଉଭୟ ସହର ଓ ଗ୍ରାମାଞ୍ଚଳର ଦର୍ଶକମାନେ ମନୋରଞ୍ଜନମୂଳକ ଭିଡ଼ିଓ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି । ଆଗାମୀ ୨୦୨୧ ବେଳକୁ ଦେଶରେ ଭିଡ଼ିଓ ଉପଭୋଗ ନିମନ୍ତେ ପ୍ରାୟ ୮୦ କୋଟି କମ୍ପ୍ୟୁଟର, ସ୍ମାର୍ଟ ଟେଲିଭିଜନ ବା ସ୍ମାର୍ଟଫୋନ ଭଳି ଉପକରଣ ଉପଲବ୍ଧ ହେବ ଏବଂ ଗଣମାଧ୍ୟମ ବ୍ୟବହାରର ୭୫ ପ୍ରତିଶତ ସମୟ ଉପଭୋକ୍ତାମାନେ ଭିଡ଼ିଓ ଦେଖାରେ ଉପଯୋଗ କରିବେ ।


 

ଏହାର ଅର୍ଥ ନିକଟ ଭବିଷ୍ୟତରେ ଦୁଇ ତିନିବର୍ଷ ମଧ୍ୟରେ ଭିଡ଼ିଓ ଏକ ଶକ୍ତିଶାଳୀ ମଞ୍ଚରୂପେ ଆବିର୍ଭାବ ହେବ ଏବଂ ଉପଭୋକ୍ତାମାନେ ଭିଡ଼ିଓ ଉପଭୋଗ କରିବା ନିମନ୍ତେ ଅର୍ଥ ପ୍ରଦାନ ନିମନ୍ତେ କୁଣ୍ଠିତ ହେବେ ନାହିଁ । ଏହି ପରିବେଶରୁ ଫାଇଦା ଉଠାଇବା ନିମନ୍ତେ ଓଟିଟି ବ୍ୟବସାୟୀମାନେ ତତ୍ପରତା ପ୍ରକାଶ କରି ସାରିଲେଣି । ଆମେଜନ ପ୍ରାଇମ ଭଳି ଓଟିଟି ମଞ୍ଚ ୱେବ ସିରିଜ ‘ଇନସାଇଡ ଏଡଜ’ଭଳି ମୌଳିକ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଅଧ୍ୟାୟ ପିଚ୍ଛା କୋଟିଏରୁ ଦୁଇକୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ନେଟଫ୍ଳିକ୍ସ ‘ସେକରଡ଼ ଗେମସ’ ଅଧ୍ୟାୟ ପିଚ୍ଛା ଦୁଇରୁ ତିନି କୋଟି ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ପଛାଉନାହିଁ । ଅନ୍ୟମାନେ ଊଣା ଅଧିକେ ଏହି ଉଦାହରଣରେ ପ୍ରଭାବିତ ହେବା ସ୍ୱାଭାବିକ ।


 

ଭିଡ଼ିଓ ଉପଭୋଗ ନିମନ୍ତେ ‘ୟୁ-ଟ୍ୟୁବ’ ଭାରତୀୟମାନଙ୍କ ପାଇଁ ସର୍ବାଧିକ ପସନ୍ଦଯୋଗ୍ୟ ମଞ୍ଚ ।‘କମ ସ୍କୋର’ର ତଥ୍ୟ ଅନୁଯାୟୀ ଏହି ମଞ୍ଚକୁ ମାସିକ ୨୪ କୋଟି ୫୦ ଲକ୍ଷ ଉପଭୋକ୍ତା ବ୍ୟବହାର କରିଥାନ୍ତି ।‘ୟୁ-ଟ୍ୟୁବ ରିୱାଇଣ୍ଡ ୨୦୧୮’ ରିପୋର୍ଟରେ କୁହାଯାଇଛି ଯେ ଶିକ୍ଷା, ତାଲିମ, ନିଜେ ପ୍ରସ୍ତୁତ କରିବା ପ୍ରଣାଳୀ ବା ‘ଡୁ-ଇଟ-ୟୁଆରସେଲଫ’, ପ୍ରସାଧନ ଓ ନୃତ୍ୟ ଭଳି ସ୍ୱାଧୀନ ଚ଼୍ୟାନେଲଗୁଡ଼ିକ ଲୋକପ୍ରିୟତା ହାସଲ କରିଥାଏ । ମୋଟାମୋଟି ଭାବେ ୭୧ ପ୍ରତିଶତ ଦର୍ଶକ କିଛି ଶିଖିବା ଲାଗି ୟୁ-ଟ୍ୟୁବ ମଞ୍ଚକୁ ଯାଇଥାନ୍ତି ।ଭାରତରେ ପ୍ରାୟ ୩୦୦ ଗୋଟି ଚ୍ୟାନଲରେ ପ୍ରଶଂସକ ବା ଗ୍ରାହକଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକା । ସର୍ବାଧିକ ଗ୍ରାହକଭୁକ୍ତ ଚ୍ୟାନେଲ ମଧ୍ୟରେ ହାସ୍ୟ ଅଭିନେତା ଅମିତ ଭାଦନାଙ୍କ ଏକ କୋଟି ୧୮ ଲକ୍ଷ, ବିବିକେ ଭାଇନଙ୍କ ଏକ କୋଟି ୧୨ ଲକ୍ଷ ତଥା ଇଲକ୍ଟ୍ରୋନିକ୍ସ ସାଜସରଞ୍ଜାମ ସମୀକ୍ଷକ ଟେକନିକାଲ ଗୁରୁଜୀଙ୍କ ପ୍ରସଂଶକଙ୍କ ସଂଖ୍ୟା ଏକ କୋଟି ୪ ଲକ୍ଷ ଅନ୍ତର୍ଭୁକ୍ତ । ଭାରତୀୟ ଭାଷାଗୁଡ଼ିକରେ ‘ଇନଫୋବେଲ୍ସ’ (ତେଲୁଗୁ), ‘ଭିଲେଜ ଫୁଡ଼ ଫ୍ୟାକ୍ଟ୍ରି’ (ତାମିଲ) ଓ ‘ମଧୁରସରେସପି’ (ମରାଠୀ) ଅନ୍ୟତମ ।


 

ଭିଡ଼ିଓ ଉପଭୋଗ ନିମନ୍ତେ ଟେଲିଭିଜନ ସହ ଡ଼ିଜିଟାଲ ମଞ୍ଚର ଆବିର୍ଭାବ, ଟେଲିଭିଜନ ସହ ମୋବାଇଲ ପରଦା ତଥା ଟେଲିଭିଜନ କିମ୍ୱା ୱେବ ସିରିଜ ପ୍ରସାରଣ ଉପଭୋଗ ନିମନ୍ତେ ‘କେଚ-ଅପ’ ବା ‘ଅନ-ଡ଼ିମାଣ୍ଡ’ ସୁବିଧା ସୁଯୋଗ ଗଣମାଧ୍ୟମ ମଞ୍ଚରେ ଏକ ନୂତନ ସମୀକରଣ ସୃଷ୍ଟି କରିଛି । ୨୦୧୮ ଶେଷ ସୁଦ୍ଧା ଉପଲବ୍ଧ ବୈଷୟିକ କଳାକୌଶଳ ଓ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ଧାରା ଦୁଇତିନିବର୍ଷ ମଧ୍ୟରେ ୨୦୨୧ ସୁଦ୍ଧା ବିକଶିତ ହେବା ପୁର୍ବାନୁମାନ ଗଣମାଧ୍ୟମ ବ୍ୟବହାରରେ ଏକ ନୂତନ ପରିବେଶ ସୃଷ୍ଟି କରିବା ଆଶା କରାଯାଇପାରେ । ଟେଲିଭିଜନ ପ୍ରସାରଣରେ ପ୍ରଚଳିତ ‘ପ୍ରାଇମ ଟାଇମ’ର ଗୁରୁତ୍ୱ ଉଭେଇ ଯିବା ନିଶ୍ଚିତ । ପ୍ରସାରଣ ଲାଗି ଉର୍ଦ୍ଧିଷ୍ଟ ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଗୁଣବତ୍ତା ଉପରେ ନିର୍ଭରଶୀଳ ହେବ ଏବଂ ଦର୍ଶକ ସର୍ବୋତ୍ତମକୁ ଖୋଜିବେ । ଏହିଭଳି ପରିସ୍ଥିତି ଗୁଣାତ୍ମକ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସହାୟକ ହେବ ।


 

ଭାରତୀୟ ଗଣମାଧ୍ୟମ ପରିବେଶରେ ଭିଡ଼ିଓ ପ୍ରଦର୍ଶନର ପ୍ରଧାନ୍ୟତା ଓଡ଼ିଆ ଗଣମାଧ୍ୟମ ଉପତ୍ୟକାରେ ସମଭାବେ ପ୍ରତିଫଳିତ ହେବା ଆଶା କରାଯାଇପାରେ । ଗ୍ରାମାଞ୍ଚଳରେ ଇଣ୍ଟରନେଟ ସଂଯୁକ୍ତି କ୍ଷେତ୍ରରେ ରାଜ୍ୟ ପଛୁଆ ରହିଛି । ତେବେ ‘ଭାରତନେଟ’ ଓ ଜିଓ‘ଫାଇବର-ଟୁ-ଦି-ହୋମ’ ଯୋଜନା ଜରିଆରେ ୨୦୨୦ ସୁଦ୍ଧା ରାଜ୍ୟର ଅଧିକାଂଶ ଗ୍ରାମରେ ଇଣ୍ଟରନେଟ ସଂଯୁକ୍ତି ଆଶା କରାଯାଇପାରେ । ଏହି ସମୟସୀମାରେ ସଂଖ୍ୟାଧିକ ଉପଭୋକ୍ତା ୪ଜି ଟେଲିଯୋଗାଯୋଗ ସେବା ହାସଲ କରି ୫ଜି ବ୍ୟବହାର ନିମନ୍ତେ ପ୍ରସ୍ତୁତ ରହିବେ । ଭିଡ଼ିଓ ଆହରଣର ଉପକରଣ ସଂଖ୍ୟା ବଢ଼ିବ ଏବଂ ଅଧିକ ସଂଖ୍ୟକ ଉପଭୋକ୍ତା ଆଧିକ ସମୟ ଭିଡ଼ିଓ ଉପଭୋଗ କରିବେ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ଜିଓ ୪ଜି ପ୍ରବେଶ ପର ଦୁଇବର୍ଷ ମଧ୍ୟରେ ଓଡ଼ିଶା ରାଷ୍ଟ୍ରୀୟସ୍ତରରେ ମୁଣ୍ଡପିଛା ଡ଼ାଟା ବ୍ୟବହାର କ୍ଷେତ୍ରରେ ସର୍ବାଗ୍ରେ ରହିଛି । କାରିଗରୀକୌଶଳ ଉପଲବ୍ଧତା ତଥା ଶସ୍ତା ଡ଼ାଟାର ସୁବିଧାସୁଯୋଗ ରାଜ୍ୟ ଉପଭୋକ୍ତାମାନଙ୍କୁ ପ୍ରଭାବିତ କରୁଥିବା ଏହି ଉଦାହରଣର ସୁସ୍ୱଷ୍ଟ । ଅପରପକ୍ଷେ ଓଟିଟି ସେବା ପ୍ରଦାନକାରୀମାନେ ସେମାନଙ୍କ ବ୍ୟବସାୟ ପ୍ରସାର ଲକ୍ଷ୍ୟରେ ଯଦି ଆଞ୍ଚଳିକ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଓଡ଼ିଆକୁ ଶୀଘ୍ର ସାମିଲ କରନ୍ତି ତେବେ ଓଡ଼ିଆ ଭିଡ଼ିଓ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ଗୁଣବତ୍ତା ବୃଦ୍ଧି ପାଇବା ସମ୍ଭବପର ।


 

ମୋବାଇଲ ମାର୍କେଟିଂ ଏସୋସିଏସନର ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତୀୟ ଦର୍ଶକମାନଙ୍କ ମଧ୍ୟରୁ ପ୍ରାୟ ୮୬ ପ୍ରତିଶତ ଟେଲିଭିଜନ ସେଟରୁ କାର୍ଯ୍ୟକ୍ରମ ଉପଭୋଗ କରିବା ଅବସରରେ ମୋବାଇଲ ଫୋନ ଯୋଗେ ଫେସବୁକ ଭଳି ମଞ୍ଚ ମଧ୍ୟ ବ୍ୟବହାର କରୁଛନ୍ତି । ଟେଲିଭିଜନ ସହ ମୋବାଇଲ ଫୋନ ଏକ ସମୟରେ ଉପଭୋକ୍ତାଙ୍କ ପାଇଁ ଦ୍ୱିତୀୟ ପରଦା ର କାମ କରୁଛି । ଏହି ଭଳି ପରିବେଶରେ ଦର୍ଶକଙ୍କୁ କାର୍ଯ୍ୟକ୍ରମପ୍ରତି ଆକର୍ଷିତ କରିବା ଯେ କେତେ ଦୁରୂହ ବ୍ୟାପାର ତାହା ସହଜରେ ଅନୁମେୟ ।


 

ଭିଡ଼ିଓର ବହୁଳ ବ୍ୟବହାର ଓ ଲୋକପ୍ରିୟତା ଭିଡ଼ିଓ ପ୍ରଯୋଜନାରେ ନୂତନ ସମ୍ଭାବନାମାନ ନେଇ ପହଞ୍ଚୁଛି । ଅଶୀ କୋଟି ଜନସାଧାରଣ ଦୈନିକ ତିନିରୁ ଚ଼ାରିଘଣ୍ଟା ଭିଡ଼ିଓ ଉପଭୋଗ କରିବା ପରିବେଶ ଏଦିଗରେ ଅନୁଶାସନ ଓ ତାଲିମ ଗୁରୁତ୍ୱ ବହନ କରିଥାଏ । ମନୋରଞ୍ଜନଧର୍ମୀ ଭିଡ଼ିଓ ଲୋକପ୍ରିୟତା ହାସଲ କରିଥିଲେହେଁ ଅବସ୍ଥାଚ଼କ୍ରରେ ଏହିଭଳି ବିସ୍ତୃତ ଗଣମାଧ୍ୟମ ମଞ୍ଚର ନକାରାତ୍ମକ ତଥା ଉଦ୍ଦେଶ୍ୟ ପ୍ରଣୋଦିତ ବ୍ୟବହାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । ଏହାର ମୁକାବିଲା କରିବା ନିମନ୍ତେ ପୂର୍ବ-ପ୍ରସ୍ତୁତି ଆବଶ୍ୟକ ।ଗଣମାଧ୍ୟମ କର୍ମୀଙ୍କୁ ତାଲିମ, ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମ ସାକ୍ଷରତା ପ୍ରସାର ଏବଂ ଉଭୟ ସରକାରୀ ଓ ବେସରକାରୀସ୍ତରରେ ନିୟମାକ ଗଠନ ସମୟର ଆହ୍ୱାନ ।  



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୧ ଡ଼ିସେମ୍ୱର ୨୦୧


ତଥ୍ୟ:



Dahir, Abdi Latif. Half the world is now connected to the internet—driven by a record number of Africans. 



https://qz.com/africa/1490997/more-than-half-of-worlds-population-using-the-internet-in-2018/


 

All villages of country to be connected through broadband by 2019: Union Minister.



https://economictimes.indiatimes.com/industry/telecom/telecom-news/all-villages-of-country-to-be-connected-through-broadband-by-2019-union-minister/articleshow/67013513.cms


 

Media Consumption in Fast Lane.Business Standard (Bhubaneswar Edition). December 13, 2018


 

https://www.televisionpost.com/indian-consumers-are-consuming-190-mins-of-video-per-day-per-user-cii-bcg-report/


 

https://www.televisionpost.com/india-has-250-mn-online-video-viewers-mma-groupm-report/


 

https://www.televisionpost.com/300-channels-crossed-1-mn-subs-mark-on-youtube-in-2018/ 

ସମ୍ୱାଦ ଉପଭୋକ୍ତାଙ୍କ ଆଚ଼ରଣ ୨୦୨୩

ସମ୍ୱାଦ ଉପଭୋକ୍ତାଙ୍କ ଆଚ଼ରଣ ସମ୍ୱାଦ ମଞ୍ଚ ପରିଚାଳନାକୁ ପ୍ରଭାବିତ କରିଥାଏ । ସମ୍ୱାଦ ଶିଳ୍ପରେ ତଦ୍ଅନୁଯାୟୀ ବ୍ୟାବସାୟିକ ଧାରା ନିର୍ଦ୍ଧାରଣ ହୁଏ । କୋଭିଡ଼-୧୯ ମହାମାରୀ-ପର ଅବସ୍ଥାରେ ବିଶ୍ୱବ୍ୟାପୀ ସମ୍ୱାଦ ଉପଭୋକ୍ତାଙ୍କ ଆଚ଼ରଣରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ସେହି କାରଣରୁ ସମ୍ୱାଦ ଶିଳ୍ପ ସଂଘର୍ଷପୂର୍ଣ୍ଣ ପରିବେଶରେ ଉପନୀତ । ମହାମାରୀ-ପୂର୍ବ ଅବସ୍ଥାରେ ବୈଷୟିକ ପ୍ରଗତି ସମ୍ୱାଦ ଶିଳ୍ପକୁ ଯେତିକି ମାତ୍ରାରେ ଭରାକ୍ରାନ୍ତ କରିଥିଲା, ମହାମାରୀ-ପର ଅବସ୍ଥାରେ ସମ୍ୱାଦ ଉପଭୋକ୍ତାଙ୍କ ପରିବର୍ତ୍ତିତ ଆଚ଼ରଣ ତାହାକୁ ତ୍ୱରାନ୍ୱିତ କରି ସମ୍ୱାଦ ମଞ୍ଚଗୁଡ଼ିକର ସ୍ଥିତି ଓ ଭବିଷ୍ୟତ ପ୍ରତି ପ୍ରଶ୍ନବାଚ଼ୀ ସୃଷ୍ଟି କରିଛି । ଏହି ବିଷଚ଼କ୍ରରେ ଉଭୟ ପାରମ୍ପରିକ ଓ ଡିଜିଟାଲ ମଞ୍ଚ ସମଭାବେ ପ୍ରପୀଡ଼ିତ ।

 

ସମ୍ୱାଦ ଉପଭୋକ୍ତାଙ୍କ ଆଚ଼ରଣ ଅଧ୍ୟୟନରେ ୨୦୨୩ ଜୁନ ମାସରେ ‘ରଏଟର ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ପକ୍ଷରୁ ପ୍ରକାଶିତ ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୩’ ଏବଂ ମାସକ ପୂର୍ବରୁ ମେ’ ମାସରେ ଗୁଗୁଲ ସହାୟତାରେ କାନ୍ତାର ଇଣ୍ଡିଆ ପକ୍ଷରୁ ପ୍ରକାଶିତ ‘ଇଣ୍ଡିଆନ ଲାଙ୍ଗୁଏଜେସ-ଅଣ୍ଡରଷ୍ଟେଣ୍ଡିଂ ଇଣ୍ଡିଆସ ଡ଼ିଜିଟାଲ ନିଉଜ କନଜ୍ୟୁମର’ ଦୁଇଗୋଟି ରିପୋର୍ଟ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅବତାରଣା କରିଥାଏ । ପ୍ରଥମ ପ୍ରକାଶନ ନିମନ୍ତେ ୪୬ ଗୋଟି ରାଷ୍ଟ୍ରରେ ୯୩ ହଜାର ଏବଂ ଦ୍ୱିତୀୟ ପ୍ରକାଶନ ନିମନ୍ତେ ଭାରତର ବିଭିନ୍ନ ଅଞ୍ଚଳରୁ ୬୦ ହଜାର ସମ୍ୱାଦ ଉପଭୋକ୍ତାଙ୍କୁ ସର୍ବେକ୍ଷଣରେ ସାମିଲ କରାଯାଇ ତଥ୍ୟ ସଂଗୃହୀତ ହୋଇଥିଲା । ଦୁଇ ପ୍ରକାଶନରେ ଡ଼ିଜିଟାଲ ସମ୍ୱାଦ ଉପଭୋକ୍ତାଙ୍କ ଆଚ଼ରଣ ଅନୁଶୀଳନ କରାଯାଇଥିବା ସ୍ଥଳେ ତାହା ସାମଗ୍ରିକଭାବେ ସମକାଳୀନ ସମ୍ୱାଦ ଉପଭୋକ୍ତଙ୍କ ସ୍ୱରୂପ ଭାବେ ଧରିନିଆଯାଇପାରେ ।

 

ପ୍ରଥମତଃ, ସମ୍ୱାଦ ମଞ୍ଚଗୁଡ଼ିକର ବିଜ୍ଞାପନ ଆୟ କମି ଆସୁଥିବା ଅବସରରେ ବ୍ୟାବସାୟିକ ଆୟ-ବ୍ୟୟ ସମତୁଲ ରଖିବା ନିମନ୍ତେ ଗ୍ରାହକ ଚାନ୍ଦାକୁ ପ୍ରାଧାନ୍ୟ ଦିଆଯାଇଛି । ତେବେ ସମ୍ୱାଦ ଉପଭୋକ୍ତାମାନେ ଡ଼ିଜିଟାଲ ମଞ୍ଚରେ ବିପୁଳ ପରିମାଣରେ ସମ୍ୱାଦ ମାଗଣାରେ ପାଇପାରୁଥିବା ହେତୁ ଗ୍ରାହକ ଚାନ୍ଦା ପ୍ରଦାନ ନିମନ୍ତେ ଆଗ୍ରହୀ ନୁହନ୍ତି । ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୩’ ଅନୁଯାୟୀ ବିଶ୍ୱର ୨୦ ଗୋଟି ଧନୀ ରାଷ୍ଟ୍ରରୁ ଗୃହୀତ ତଥ୍ୟ ବିଶ୍ଳେଷଣରେ ମାତ୍ର ୧୭ ପ୍ରତିଶତ ଡ଼ିଜିଟାଲ ସମ୍ୱାଦ ଉପଭୋକ୍ତା ଗ୍ରାହକ ଶ୍ରେଣୀଭୁକ୍ତ ହୋଇଥିବା ଜଣାଯାଇଥିଲା ।

 

ଦ୍ୱିତୀୟତଃ, ଡ଼ିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକରେ ସମ୍ୱାଦ ଉପଭୋକ୍ତାମାନେ ସାମ୍ୱାଦିକ ଓ ସମ୍ପାଦକଙ୍କ ବଦଳରେ ଯାନ୍ତ୍ରିକ ପଦ୍ଧତି ‘ଆଲଗୋରିଥିମ’ ଦ୍ୱାରା ସମ୍ୱାଦ ଚୟନକୁ ସମର୍ଥନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଉପଭୋକ୍ତଙ୍କ ପଠନ ଇତିହାସ ଆଧାରରେ ସମ୍ୱାଦ ଚ଼ୟନର ସୁବିଧା ରହିଥାଏ । ଉପଭୋକ୍ତାମାନେ ନିଜ ଋଚ଼ି ଅନୁଯାୟୀ ସମ୍ୱାଦ ପ୍ରସାରଣକୁ ପସନ୍ଦ କରୁଛନ୍ତି । କୁହାଯାଉଛି ଯେ ସାମ୍ୱାଦିକ ଓ ସମ୍ପାଦକମାନଙ୍କ ଜ୍ଞାନ ପରିସର, ମତବାଦ ଓ ରୁଚ଼ି ପ୍ରକାଶନ ନିମନ୍ତେ ସମ୍ୱାଦ ଏକତ୍ରୀକରଣରେ ପ୍ରଭାବ ବିସ୍ତାର କରିଥାଏ । ଏଣୁ ପାଠକ ଓ ଦର୍ଶକ ନିଜ ଦୃଷ୍ଟିକୋଣ ସମର୍ଥିତ ସମ୍ୱାଦକୁ ଅଗ୍ରାଧୀକାର ଦେଉଛନ୍ତି ।

 

ଏତଦ୍ୱାରା ଏକପକ୍ଷରେ ସମ୍ୱାଦ ମଞ୍ଚରେ ସାମ୍ୱାଦିକ ଓ ସମ୍ପାଦକମାନଙ୍କ ଭୂମିକା ଗୌଣ ହୋଇଯାଉଥିବା ସ୍ଥଳେ ଅନ୍ୟପକ୍ଷରେ ଉପଭୋକ୍ତା ଏକ-ପାଖିଆ ସମ୍ୱାଦର ଘେରରେ ବାସ୍ତବତା ସଂପର୍କରେ ଜ୍ଞାନ ଆରହଣକୁ ଦୁରେଇଯାଏ । ଗଣମାଧ୍ୟମ ବ୍ୟାକରଣରେ ଏହି ପରିବେଶ ସୀମିତ ଦୃଷ୍ଟିଭଙ୍ଗୀ ‘ସିଲେକ୍ଟିଭ ଏକ୍ସପୋଜର’ ଓ ପ୍ରତିଧ୍ୱନିତ ପରିଧି ‘ଇକୋ-ଚେମ୍ୱର’ ପରିବେଶ ସୃଷ୍ଟି କରିଥାଏ । ଏହାର ଦୀର୍ଘକାଳୀନ ପ୍ରଭାବ ବିପଦପୂର୍ଣ୍ଣ । ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୩’ରେ ସୂଚ଼ିତ ହୋଇଛି ଯେ ପ୍ରକାଶକ-କେନ୍ଦ୍ରୀକ ସମ୍ୱାଦ ଚ଼ୟନ ‘ଉଇ-ପବ୍ଳିଶ-ୟୁ-ରିଡ଼’ ପଦ୍ଧତିର ପରିବର୍ତ୍ତନ ଲାଗି କେତେକ ବୃହତ ପ୍ରକାଶନ ସଂସ୍ଥା ସମ୍ପାଦକୀୟ ବିଚାର ସହ ଯାନ୍ତ୍ରିକ ବିଚାର ସମନ୍ୱୟ ସ୍ଥାପନ ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି ।

 

ତୃତୀୟତଃ, ବିଶ୍ୱବ୍ୟାପୀ ଡ଼ିଜିଟାଲ ସମ୍ୱାଦ ଉପଭୋକ୍ତାଗଣ ସମ୍ୱାଦ ୱେବସାଇଟ ଓ ଆପ ବଦଳରେ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରବେଶ ଧାରାରେ ଅଭ୍ୟସ୍ତ ହୋଇପଡୁଛନ୍ତି । ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୩’ର ସର୍ବେକ୍ଷଣରେ ମାତ୍ର ୨୨ ପ୍ରତିଶତ ସମ୍ୱାଦ ମଞ୍ଚରୁ ସମ୍ୱାଦ ଆହରଣ ନିମନ୍ତେ ୱେବସାଇଟ ଓ ଆପରେ ପ୍ରଥମେ ପହଞ୍ଚୁଥିଲେ । ଏହା ୨୦୧୮ ତୁଳନାରେ ଦଶ ପ୍ରତିଶତ କମ ହିସାବ କରାଯାଇଥିଲା । ଏହି ଧାରାରେ ମୂଳ ସମ୍ୱାଦ ପ୍ରକାଶନ ମଞ୍ଚକୁ ପାଠକମାନେ ଅଣଦେଖା କରୁଥିବା ପ୍ରମାଣିତ । ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକରେ ମଧ୍ୟ ଏହି ପ୍ରବାହ କେତେକାଂଶରେ ପ୍ରଭାବିତ ଥିବା ଅନୁମାନ କରାଯାଏ ।  ଏତଦ୍ୱାରା ସମ୍ୱାଦ ଶିଳ୍ପର ବ୍ୟାବସାୟିକ କ୍ଷତି ଘଟିଥାଏ ।

 

ସୋସିଆଲ ମିଡ଼ିଆରେ ଫେସବୁକ ସର୍ବାଧିକ ଉପଭୋକ୍ତା ଦାବୀ କରୁଥିଲେହେଁ ଫେସବୁକ ମଞ୍ଚରୁ ସମ୍ୱାଦ ଆହରଣ ମାତ୍ରା କମିବାରେ ଲାଗିଥିବା ଜଣାଯାଏ । ଭାରତରେ ଡ଼ିଜିଟାଲ ସମ୍ୱାଦ ଉପଭୋକ୍ତାମାନଙ୍କ ମଧ୍ୟରୁ ୧୨ ପ୍ରତିଶତ ସମ୍ୱାଦ ୱେବସାଇଟ ଓ ଆପରେ ପହଞ୍ଚୁଥିବା ସ୍ଥଳେ ୨୮ ପ୍ରତିଶତ ସୋସିଆଲ ମିଡ଼ିଆ ଓ ୪୩ ପ୍ରତିଶତ ସମ୍ୱାଦ ଖୋଜିବାରେ ସର୍ଚ୍ଚ ଇଞ୍ଜିନ ବ୍ୟବହାର କରିଥାନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏହିଭଳି ଅଭ୍ୟାସ ଯୁବବର୍ଗଙ୍କ ମଧ୍ୟରେ ପରିଲକ୍ଷିତ ହେଉଥିବା ସ୍ଥଳେ କ୍ରମଶଃ ବୟସ୍କମାନେ ମଧ୍ୟ ସାମିଲ ହେଲେଣି ।

 

ଗୁଗୁଲ-କାନ୍ତାର ରିପୋର୍ଟ ଅନୁଯାୟୀ ଭାରତରେ ଆଞ୍ଚଳିକ ଭାଷାରେ ଡ଼ିଜିଟାଲ ସମ୍ୱାଦ ଉପଭୋକ୍ତା ସହରାଞ୍ଚଳରେ ଅଧିକ ମାତ୍ରାରେ ଆହରଣ କରିଥାନ୍ତି । ଅଧିକାଂଶ ପୁରୁଷ ଏବଂ ଆର୍ଥିକ ଦିଗରୁ ସ୍ୱଚ୍ଛଳ । ସେମାନେ ସାଧାରଣରେ ବହୁଭାଷୀ ଓ ଇଂଲିଶ ଭାଷାରେ ଦକ୍ଷତା ରହିଥାଏ । ଅନଲାଇନ ସମ୍ୱାଦ ଉପଭୋକ୍ତାମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ୬୦ ଗୋଟି ଶବ୍ଦ ବା ତାହାଠାରୁ କମ ଆକାରର ସମ୍ୱାଦ ପଢ଼ିବାକୁ ଏବଂ ୨୫ ପ୍ରତିଶତ ଏକ ମିନଟରୁ କମ ଅବଧିର ସମ୍ୱାଦ ଭିଡ଼ିଓ ଦେଖିବାକୁ ପସନ୍ଦ କରିଥାନ୍ତି । ସମ୍ୱାଦ ପାଠକମାନଙ୍କ ମଧ୍ୟରୁ ଦୁଇ-ତୃତୀୟଂଶ ସମ୍ୱାଦ ଶିରୋନାମା ଓ ସାରାଂଶ ପଢ଼ିଥାନ୍ତି । ଏହି ତଥ୍ୟାବଳୀ ସମକାଳରେ ଉଭୟ ପାରମ୍ପରିକ ଓ ଡ଼ିଜିଟାଲ ମଞ୍ଚ ନିମନ୍ତେ ସମ୍ୱାଦ ପ୍ରଯୋଜନାରେ ଉପଯୋଗ କରାଯିବା ଯଥାର୍ଥ ।

 

ଗୁଗୁଲ-କାନ୍ତାର ରିପୋର୍ଟରେ ଭାରତୀୟ ଡ଼ିଜିଟାଲ ସମ୍ୱାଦ ଉପଭୋକ୍ତାଙ୍କ ସମ୍ୱାଦ ନିର୍ବାଚ଼ନ ଅଭ୍ୟାସ ବିଶଦଭାବେ ବର୍ଣ୍ଣିତ । ମନୋରଞ୍ଜନଧର୍ମୀ ସମ୍ୱାଦ ୭୬ ପ୍ରତିଶତ ଦାବୀ କରୁଥିବା ବେଳେ ଅପରାଧ ୭୨ ପ୍ରତିଶତ, ଜାତୀୟ ଓ ଆଞ୍ଚଳିକ ସମ୍ୱାଦ ୭୧ ପ୍ରତିଶତ, କ୍ରୀଡ଼ା ୬୩ ପ୍ରତିଶତ, ବିଦେଶ ୬୦ ପ୍ରତିଶତ, ଶିକ୍ଷା ୫୯ ପ୍ରତିଶତ, ପାଣିପାଗ ୫୯ ପ୍ରତିଶତ, ରାଜନୀତି ୫୬ ପ୍ରତିଶତ ଓ ବାଣିଜ୍ୟ-ବ୍ୟବସାୟ ୩୮ ପ୍ରତିଶତ ପ୍ରମୁଖ ସମ୍ୱାଦ ‘କୋର ନିଉଜ’ ପାଠକଙ୍କ ପସନ୍ଦ । ସେହିପରି ଅନ୍ୟାନ୍ୟ ସମ୍ୱାଦ ବର୍ଗ ‘ନନ-କୋର ନିଉଜ’ ଭାବେ ସ୍ୱାସ୍ଥ୍ୟ ୭୧ ପ୍ରତିଶତ, ବୈଷୟିକ ୬୧ ପ୍ରତିଶତ, ଫ୍ୟାଶନ ୫୬ ପ୍ରତିଶତ, ପର୍ଯ୍ୟଟନ ୫୨ ପ୍ରତିଶତ, ବିଜ୍ଞାନ ୫୨ ପ୍ରତିଶତ, କଳା ଓ ସଂସ୍କୃତି ୫୧ ପ୍ରତିଶତ, ଧର୍ମ ୪୩ ପ୍ରତିଶତ ଓ ଭାଗ୍ୟଫଳ ୩୨ ପ୍ରତିଶତ ପାଠକଙ୍କୁ ଆକୃଷ୍ଟ କରିଥାଏ । ବଙ୍ଗଳାରେ ୭୯ ପ୍ରତିଶତ କ୍ରୀଡ଼ା ଓ ମାଳୟଳମରେ ୬୪ ପ୍ରତିଶତ ବୈଦେଶିକ ସମ୍ୱାଦକୁ ଗୁରୁତ୍ୱ ଦେଇଥାନ୍ତି ।

 

ଭାରତୀୟ ଆଞ୍ଚଳିକ ଭାଷାରେ ସମ୍ୱାଦ ଉପଭୋକ୍ତାମାନେ ସମ୍ୱାଦକୁ ଆବଶ୍ୟକ, ଜ୍ଞାନବର୍ଦ୍ଧକ, ସଚ଼େତକ, ପରାମର୍ଶ ଓ ସୂଚ଼କାଙ୍କ ଭାବେ ଗ୍ରହଣ କରିଥାନ୍ତି । ଏତଦ୍ୱାରା ସାମାଜିକ, ଅର୍ଥନୀତିକ ଓ ରାଜନୀତିକ କ୍ଷେତ୍ରରେ ନିଷ୍ପତ୍ତି ଗ୍ରହଣ, ଅଭିମତ ପ୍ରଯୋଜନା ଓ ଅର୍ଥପୂର୍ଣ୍ଣ କଥୋପକଥନରେ ସହାୟତା ପ୍ରଦାନ କରିଥାଏ ବୋଲି ଉଲ୍ଲେଖ କରିଥାନ୍ତି । ଅଧ୍ୟୟନଦ୍ୱୟରୁ ସଂଗୃହୀତ ତଥ୍ୟ ଅନୁଯାୟୀ ବିଶ୍ୱବ୍ୟାପୀ ନକାରାତ୍ମକ ଓ ଚାଞ୍ଚଲ୍ୟକାରୀ ସମ୍ୱାଦର ଚାହିଦା କମିଥିବା ଅବସରରେ ବର୍ଣ୍ଣନା ଓ ଅନୁଶୀଳନାତ୍ମକ ସମ୍ୱାଦକୁ ଉପଭୋକ୍ତାମାନେ ପସନ୍ଦ କରୁଛନ୍ତି । ଭାରତରେ ଆନ୍ତର୍ଜାତିକ ସମ୍ୱାଦ ପ୍ରତି ଉପଭୋକ୍ତାଙ୍କ ଆଗ୍ରହ ଏକ ନୂତନ ଉପଲବ୍ଧି । ସମ୍ୱାଦ ଉପଭୋକ୍ତାଙ୍କ ପରିବର୍ତ୍ତିତ ଆଚ଼ରଣକୁ ଭିତ୍ତିକରି ସମ୍ୱାଦ ପ୍ରଯୋଜନା ଉଭୟ ପାରମ୍ପରିକ ଓ ଡ଼ିଜିଟାଲ ମଞ୍ଚରେ ପାଠକ-ବିମୁଖ ପରିବେଶକୁ ମୁକାବିଲା କରିବା ନିମନ୍ତେ ଅନ୍ୟତମ ସାଧନ ବିବେଚ଼ନା କରାଯାଏ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୦ ଜୁନ ୨୦୨୩


ତଥ୍ୟ:


Reuters Institute for Study of Journalism. Digital News Report 2023

 

https://reutersinstitute.politics.ox.ac.uk/digital-news-report/2023/dnr-executive-summary

 

Indian Languages – Understanding India’s Digital News Consumer

 

https://newsinitative.withgoogle.com/

ଗଣମାଧ୍ୟମ ଉପଭୋକ୍ତା ଅଭିବୃଦ୍ଧି ୨୦୧୮- ୨୦

ଭାରତର ଗଣମାଧ୍ୟମ ଉପଭୋକ୍ତା ସଂଖ୍ୟାରେ ୨୦୧୮ରୁ ୨୦୨୦ ତିନିବର୍ଷ ମଧ୍ୟରେ ଅଭିବୃଦ୍ଧି ପରିସଂଖ୍ୟାନ ଅଧ୍ୟୟନ କେତେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟତଃ, ୨୦୧୪ରୁ କେନ୍ଦ୍ରସରକାରଙ୍କ ଡ଼ିଜିଟାଲ ନୀତି ନିର୍ଦ୍ଧାରଣ ତଥା ରାଜ୍ୟସରକାରମାନଙ୍କ ଅନୁସରଣ, ୨୦୧୬ରୁ ରିଲାଏନ୍ସ ଜିଓ ଆନୁକୂଲ୍ୟରେ ୪ଜି କାରିଗରୀ କୌଶଳ ଉପଯୋଗ ଏବଂ ଟେଲିଯୋଗାଯୋଗ କ୍ଷେତ୍ରରେ ବ୍ୟାବସାୟିକ ପ୍ରତିଯୋଗିତା ହେତୁ ଇଣ୍ଟରନେଟ ବ୍ୟବହାର ଦରହ୍ରାସ କାରଣରୁ ଡିଜିଟାଲ ମଞ୍ଚର ବ୍ୟାପକ ପ୍ରସାର ଘଟିଥିଲା । ସର୍ବୋପରି କାରିଗରୀ କୌଶଳ ବିକାଶରେ ଅତ୍ୟାଧୁନିକ ଡିଜିଟାଲ ସାଜସରଞ୍ଜାମ ଉଭୟ ପ୍ରସାରଣ ଓ ଆହରଣ କ୍ଷେତ୍ରରେ ପରିବର୍ତ୍ତିତ ପରିବେଶ ସୃଷ୍ଟି କରିଛି ।


 

ଉଦାହରଣରେ ଦୈନିକ ସମ୍ୱାଦପତ୍ର ପଠନ ମୁଦ୍ରିତ ପୃଷ୍ଠା ବଦଳରେ ଡେସ୍କଟପ, ଲ୍ୟାପଟପ, ଟେବଲେଟ ଓ ମୋବାଇଲ ଡିଜିଟାଲ ପର୍ଦ୍ଦାକୁ ସ୍ଥାନାନ୍ତରିକରଣ ପ୍ରକ୍ରିୟା କ୍ରମଶଃ ଡିଜିଟାଲ ମଞ୍ଚର ଆଧିପତ୍ୟ ପ୍ରମାଣିତ କରିଥାଏ । ଆନ୍ତର୍ଜାତିକସ୍ତରରେ ‘ଦି ନିଉୟର୍କ ଟାଇମ୍ସ’ ୭୦ ଲକ୍ଷ ଡିଜିଟାଲ ଗ୍ରାହକ ସଂଗ୍ରହରେ ସମର୍ଥ ହୋଇଥିବା ସ୍ଥଳେ ‘ଦି ୱାଶିଂଟନ ପୋଷ୍ଟ’ ୩୦ ଲକ୍ଷ, ‘ଦି ୱାଲଷ୍ଟ୍ରୀଟ ଜର୍ଣ୍ଣାଲ’ ୨୪ ଲକ୍ଷ, ‘ଦି ଗାଡ଼ିଆନ’ ନଅ ଲକ୍ଷ, ‘ଦି ଇକନୋମିଷ୍ଟ’ ସାତଲକ୍ଷ ୯୬ ହଜାର, ‘ଦି ଆଟଲାଣ୍ଟିକ’ ଚାରି ଲକ୍ଷ, ‘ଦି ଟାଇମ୍ସ’ ତିନି ଲକ୍ଷ ୩୭ ହଜାର, ‘ଦି ଟେଲିଗ୍ରାଫ’ ତିନି ଲକ୍ଷ ୩୫ ହଜାର, ‘ଦି ନିଉୟର୍କର’ ଦୁଇ ଲକ୍ଷ ୪୨ ହଜାର ଓ ‘ନ୍ୟାସନାଲ ଜିଓଗ୍ରାଫିକ’ ଏକ ଲକ୍ଷ ୪୨ ହଜାର ସୀମା ୨୦୨୦ ଶେଷ ସୁଦ୍ଧା ଅକ୍ତିଆର କରିଥିବା ହିସାବ କରାଯାଏ ।


 

‘ଦି ନିଉୟର୍କ ଟାଇମ୍ସ’ର ମୁଦ୍ରିତ ସଂସ୍କରଣ ତୁଳନାରେ ଡିଜିଟାଲ ସଂସ୍କରଣର ଗ୍ରାହକ ଚାନ୍ଦା ବାବଦରେ ଆୟ ବୃଦ୍ଧି ପାଇଥିବା ୨୦୨୦ ନଭେମ୍ୱର ମାସରେ ଘୋଷଣା କରାଯାଇଥିଲା । ଟାଇମ୍ସ ପକ୍ଷରୁ ୨୦୧୧ରେ ପ୍ରଥମ ଥର ନିମନ୍ତେ ଡିଜିଟାଲ ସଂସ୍କରଣର ଗ୍ରାହକ ଚାନ୍ଦା ସଂଗ୍ରହ ଉଦ୍ୟମ ଆରମ୍ଭ ହୋଇଥିଲା । ସେହି ସମୟରେ ମୁଦ୍ରିତ ସଂସ୍କରଣର ଯୁଗ ଶେଷ ହୋଇ ଆସୁଥିବାର ଯେଉଁ ପୂର୍ବାନୁମାନ କରାଯାଇଥିଲା ତାହା ଦଶ ବର୍ଷପରେ ସତ୍ୟ ପ୍ରମାଣିତ ହେଲା । ଉଲ୍ଲେଖନୀୟ ବିଷୟ ଏହି ଯେ ମହାମାରୀଜନିତ ପରିସ୍ଥିତିରେ ‘ଟାଇମ୍ସ’ର ଡିଜିଟାଲ ସଂସ୍କରଣର ଗ୍ରାହକ ସଂଖ୍ୟା ତିନି ଲକ୍ଷ ୯୩ ହଜାର ବୃଦ୍ଧି ପାଇଥିଲା । ଗ୍ରାହକଚାନ୍ଦା ଆୟ ବୃଦ୍ଧି ଫଳରେ ଟାଇମ୍ସ ବିଜ୍ଞାପନ ଆଶ୍ରିତ ପ୍ରକାଶନ ମଡ଼େଲରୁ ମୁକ୍ତି ପାଇଛି ବୋଲି କହିବାକୁ ହେବ ।


 

ସେହିପରି ଟେଲିଭିଜନ କ୍ଷେତ୍ରରେ ଓଭର-ଦି-ଟପ ‘ଓଟିଟି’ ମଞ୍ଚର ଆବିର୍ଭାବ ଫଳରେ କାର୍ଯ୍ୟକ୍ରମ ପ୍ରଦର୍ଶନ ପାରମ୍ପରିକ ସେଟଲାଇଟ ଓ କେବଲ ପ୍ରସାରଣରୁ ମୁକ୍ତ ହୋଇ ଇଣ୍ଟରନେଟ ମାଧ୍ୟମରେ ମୋବାଇଲ ପର୍ଦ୍ଦାକୁ ସ୍ଥାନାନ୍ତରିତ ହୋଇଛି । ଫଳରେ ଓଟିଟି ମଞ୍ଚରେ ଆନ୍ତର୍ଜାତିକସ୍ତରରେ ଦର୍ଶକ ସୃଷ୍ଟି ସଂଭବପର ହୋଇପାରିଛି । ମହାମାରୀ କଟକଣାରେ ଦୀର୍ଘକାଳ ଚଳଚ଼ିତ୍ର ପ୍ରେକ୍ଷାଳୟ ବନ୍ଦରହିବା ତଥା ଅନେକ ପ୍ରାନ୍ତରେ ଭୂତାଣୁ ପ୍ରକୋପ ଶୀଥିଳ ହେବା ପରେ ପ୍ରେକ୍ଷାଳୟମାନ ପୁନଃ କାର୍ଯ୍ୟକ୍ଷମ ହେଲେ ସୁଦ୍ଧା ସଂକ୍ରମଣ ଭୟରେ ଆଶାନୁରୂପ ଦର୍ଶକ ନଆସିବା ଫଳରେ ଉଭୟ ହଲିଉଡ଼ ଓ ବଲିଉଡ଼ ଚଳଚ଼ିତ୍ର ଓଟିଟି ମୁହାଁ ହେବାକୁ ଆଗ୍ରାହାନ୍ୱିତ ହୋଇଛନ୍ତି ।


 

ଭାରତରେ ୨୦୧୮ରୁ ୨୦ ତିନିବର୍ଷ ମଧ୍ୟରେ ଗଣମାଧ୍ୟମ ଉପଭୋକ୍ତା ଅଭିବୃଦ୍ଧି ଆନ୍ତର୍ଜାତିକ ପ୍ରେକ୍ଷାପଟ୍ଟ ସମତୁଲ ନହେଲେହେଁ ପାରମ୍ପରିକ ତୁଳନାରେ ଡିଜିଟାଲ ମଞ୍ଚର ଅଭିବୃଦ୍ଧି ଆଗୁଆ ରହିଥିବା ସୁସ୍ପଷ୍ଟ । ଖ୍ୟାତନାମା ବାଣିଜ୍ୟ-ବ୍ୟବସାୟ ଗବେଷଣା ପ୍ରତିଷ୍ଠାନ ‘ବୋଷ୍ଟନ କନସଲଟିଂ ଗୃପ’ ପକ୍ଷରୁ ୨୦୨୦ ଡ଼ିସେମ୍ୱର ମଧ୍ୟଭାଗରେ ପ୍ରକାଶିତ ଏକ ବିବରଣୀରେ କୁହାଯାଇଛି ଯେ ୨୦୧୮ରୁ ୨୦ ତିନିବର୍ଷ ମଧ୍ୟରେ ଉପଭୋକ୍ତାମାନଙ୍କ ହାରାହାରି ଦୈନିକ ଗଣମାଧ୍ୟମ ଉପଯୋଗ ଟେଲିଭିଜନ ଦେଖାରେ ୬.୭ ପ୍ରତିଶତ, ସମ୍ୱାଦପତ୍ର ଓ ଅନ୍ୟାନ୍ୟ ମୁଦ୍ରିତ ପାଠ୍ୟ ପଠନରେ ୦.୩ ପ୍ରତିଶତ ବୃଦ୍ଧି ପାଇଥିବା ସ୍ଥଳେ ଡ଼ିଜିଟାଲ ଭିଡ଼ିଓ ଦେଖାରେ ୧୪.୫ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ରେଡ଼ିଓ ଶୁଣାରେ ୦.୪ ପ୍ରତିଶତ ହ୍ରାସ ଘଟିଛି ।


 

ସେହିପରି ଟେଲିଭିଜନ ଓ ଓଟିଟି ମଞ୍ଚର ଉପଭୋକ୍ତାଙ୍କ ସଂଖ୍ୟାର ତୁଳନାତ୍ମକ ହିସାବରେ ଓଟିଟି ମଞ୍ଚ ବେଶ ଆଗୁଆ ରହିଥିବା ଜଣାଯାଏ । ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ୨୦୧୮ରେ ୧୯ କୋଟି ୪୦ ଲକ୍ଷ, ୨୦୧୯ରେ ୨୦ କୋଟି ଥିବା ସ୍ଥଳେ ୨୦୨୦ରେ ୨୦ କୋଟି ୭୦ ଲକ୍ଷରେ ପହଞ୍ଚିଥିଲା । ଓଟିଟି ମଞ୍ଚରେ ଦର୍ଶକ ସଂଖ୍ୟା ୨୦୧୮ରେ ଚାରି କୋଟି ୯୦ ଲକ୍ଷ ଓ ୨୦୧୯ରେ ସାତ କୋଟି ୮୦ ଲକ୍ଷ ଥିବା ସ୍ଥଳେ ୨୦୨୦ରେ ୧୨ କୋଟି ୫୦ ଲକ୍ଷରେ ପହଞ୍ଚିଥିଲା । ମହାମାରୀ ଅବଧିରେ ଓଟିଟି ମଞ୍ଚର ଉପଭୋକ୍ତ ସଂଖ୍ୟା ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ପାଇଥିଲା ।


 

ବିଶ୍ୱବ୍ୟାପୀ କୋଭିଡ଼-୧୯ର ୨୦୨୦ରେ ବର୍ଷବ୍ୟାପୀ ପ୍ରାଦୁର୍ଭାବ ୨୦୧୮ରୁ ୨୦୨୦ ତିନିବର୍ଷର ଗଣମାଧ୍ୟମ ଆୟବ୍ୟୟ ହିସାବକୁ ପ୍ରଭାବିତ କରିବା ସ୍ୱାଭାବିକ । ମୁଖ୍ୟତଃ ଦୀର୍ଘକାଳ ଧରି ଲକଡ଼ାଉନ ଏବଂ ପରବର୍ତ୍ତୀ ଅବସ୍ଥାରେ ଶାରିରୀକ ଦୂରତ୍ୱରକ୍ଷା ଅଭ୍ୟାସ ଚଳଚ଼ିତ୍ର ପ୍ରେକ୍ଷାଳୟ, ଆମୋଦପ୍ରମୋଦ ପାର୍କ ଭଳି ବାହ୍ୟ ପରିବେଶରେ ମନୋରଞ୍ଜନ ବଦଳରେ ଘରୋଇ ମଡ଼େଲରେ ପ୍ରବର୍ତ୍ତିତ ହେବାରେ ଲାଗିଥିଲା । ଉପଭୋକ୍ତାଙ୍କ ଖର୍ଚ୍ଚ ମଧ୍ୟ ସେହି ଧାରା ଅନୁସରଣ କଲା । ମହାମାରୀ-ପର ଅବସ୍ଥାରେ ଉପଭୋକ୍ତାଙ୍କ ଗଣମାଧ୍ୟମ ଆହରଣ ଅଭ୍ୟାସ ପୂର୍ବସ୍ଥିତିକୁ ଫେରିବା ଆଶା କରାଯାଇନପାରେ । ଗଣମାଧ୍ୟମରେ ଏକ ପରିବର୍ତ୍ତିତ ପରିବେଶ ଅବଶ୍ୟମ୍ଭାବୀ ।


 

‘କନଫଡ଼େରେସନ ଅଫ ଇଣ୍ଡିଆନ ଇଣ୍ଡାଷ୍ଟ୍ରୀଜ’ ଆନୁକୂଲ୍ୟରେ ‘ବୋଷ୍ଟନ କନସଲଟିଂ ଗୃପ’ ପକ୍ଷରୁ ପ୍ରକାଶିତ ବିବରଣୀ ‘ଲାଇଟସ, କ୍ୟାମରା, ଆକ୍ସନ...ଦି ସୋ ଗୋସ ଅନ’ରେ କୁହାଯାଇଛି ଯେ ଭାରତରେ ୨୦୧୮ରୁ ୨୦୨୦ ତିନିବର୍ଷ ମଧ୍ୟରେ ଗଣମାଧ୍ୟମର ଅଭିବୃଦ୍ଧି ଜାରି ରହିଥିଲେହେଁ ଡିଜିଟାଲ ମଞ୍ଚ ଅଗ୍ରାଧିକାର ଦାବୀ କରିଥିଲା । ନିକଟ ଭବିଷ୍ୟତରେ ଏହି ଅଭିବୃଦ୍ଧି ଧାରା ବଳବତ୍ତର ରହିବ । ଡିଜିଟାଲ ମଞ୍ଚ ପ୍ରତି ଲୋକପ୍ରିୟତା ବଢୁଥିବା ସ୍ଥଳେ ଉପାଦାନ ‘କଣ୍ଟେଣ୍ଟ’ ପ୍ରସ୍ତୁତି କ୍ଷେତ୍ରରେ ବିବିଧତା, ଉତ୍କର୍ଷ ଓ ନୂତନ ବ୍ୟାବସାୟିକ ମଡ଼େଲ ଗୁରୁତ୍ୱ ବହନ କରିବ ।


 

ମହାମାରୀ ଅବସରରେ ଦୀର୍ଘକାଳ ଧରି ଜନସାଧାରଣ ଗୃହାବଦ୍ଧ ରହିବା ହେତୁ ଟେଲିଭିଜନ, ଓଟିଟି ଓ ସ୍ମାର୍ଟଫୋନରେ ଭିଡ଼ିଓ ଆହରଣରେ ସମୟ ଅତିବାହିତ କରିଥିଲେ । ଏହି ସୁଯୋଗରେ ଗ୍ରାହକ ଦେୟ ଯୁକ୍ତ ଭିଡିଓ ପ୍ରଦର୍ଶନ ‘ସବସ୍କ୍ରିପସନ-ଭିଡ଼ିଓ-ଅନ-ଡିମାଣ୍ଡ’ (ଏସଭିଓଡି) ଅର୍ଥାତ ଦର୍ଶକଗଣ ନିଜ ପସନ୍ଦର ଭିଡ଼ିଓ କାର୍ଯ୍ୟକ୍ରମ ଯେକୌଣସି ସମୟରେ ଇଚ୍ଛାମତେ ଦେଖିପାରିବା ଧାରା ଆରମ୍ଭ ହୋଇଥିଲା । ତେବେ ଏହି କ୍ଷେତ୍ରରେ ବହୁ ସଂଖ୍ୟକ ମଞ୍ଚ ଅବତୀର୍ଣ୍ଣ ହେଉଥିବା ତଥା ଆଞ୍ଚଳିକ ଭାଷା ସମୂହରେ ଭିଡ଼ ଜମୁଥିବା ହେତୁ କେବଳ ମୌଳିକ ସୃଜନ ଦୀର୍ଘ ଅବଧିରେ ସଫଳତା ପାଇବା ଆଶା କରାଯାଇପାରେ ।


 

ବିଜ୍ଞାପନ କ୍ଷେତ୍ରରେ ଲକଡ଼ାଉନଜନିତ ବ୍ୟାବସାୟିକ ମାନ୍ଦାବସ୍ଥା ତିନି ବର୍ଷର ହିସାବରେ ବିଘଟନ ସୂତ୍ରପାତ କରାଇଥିଲା । ୨୦୧୯ର ବିଜ୍ଞାପନ ବ୍ୟବସାୟ ତୁଳନାରେ ୨୦୨୦ରେ ୧୬ ପ୍ରତିଶତ ଯାଏଁ ହ୍ରାସ ଆକଳନ କରାଯାଉଛି । ଅବଶ୍ୟ ଡିଜିଟାଲ ମଞ୍ଚରେ ୨୦୨୦ରେ ୧୫ ପ୍ରତିଶତ ଆୟ ବୃଦ୍ଧି ସଂଭବ । ତେବେ ସାମଗ୍ରିକଭାବେ ବିଜ୍ଞାପନ ବ୍ୟବସାୟ ଦୁର୍ବଳ ରହିବା ନିଶ୍ଚିତ ।


 

‘ବୋଷ୍ଟନ କନସଲଟିଂ ଗୃପ’ର ବିବରଣୀରେ କୁହାଯାଇଥିଲା ଯେ ମହାମାରୀ ହେତୁ ଭାରତୀୟ ଗଣମାଧ୍ୟମ ଶିଳ୍ପ ଗଭୀର ପ୍ରଭାବିତ ହୋଇଛି । ତେବେ ଭାରତର ଭୌଗଳିକ ବ୍ୟାପ୍ତି, ଭାଷା ଓ ସାଂସ୍କୃତିକ ବିବିଧତା ସୃଷ୍ଟ ମାନ୍ଦାବସ୍ଥାକୁ ସଜାଡିବାରେ ସହାୟକ ହେବ । ଏତଦ୍ ବ୍ୟତୀତ ବୈଦେଶିକ ବଜାରରେ ଭାରତୀୟ ସୃଜନର ଚାହିଦା ବ୍ୟାବସାୟିକ ଅଭିବୃଦ୍ଧିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସମ୍ଭବ । ସାମଗ୍ରିକଭାବେ ଭାରତରେ ନିକଟ ଭବିଷ୍ୟତରେ ଡିଜିଟାଲ ଓ ଓଟିଟି ଅଭିବୃଦ୍ଧି ଅବ୍ୟାହତ ରହିବା ସହ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକୁ ନୂତନ ବ୍ୟାବସାୟିକ ମଡ଼େଲ ବିକାଶ ନିମନ୍ତେ ବାଧ୍ୟ କରିବ ।   



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଡ଼ିସେମ୍ୱର ୨୦୨୦


ତଥ୍ୟ:

 

Ta rvill, William. The look club most popular subscriptions news websites in the world revealed


 

https://www.pressgazette.co.uk/news-publishers-surpassed-100000-digital-subscriptions


 

Samtani, Kanchan & Mandeep Kohli. Lights, Camera, Action….The Show Goes On. Bostan Consulting Group and Confederation of Indian Industries. December 2020.

ଗଣମାଧ୍ୟମ ପୂର୍ବାନୁମାନ ୨୦୧୯

ମାର୍କିନ ସାପ୍ତାହିକ ପତ୍ରିକା ‘ଦି ନ୍ୟୂୟର୍କର’ରେ ପ୍ରକାଶିତ ଚ଼ିନ୍ତାଦ୍ୟୋତକ ବ୍ୟଙ୍ଗ ଚ଼ିତ୍ରଗୁଡ଼ିକ ଆନ୍ତର୍ଜାତିକସ୍ତରରେ ଆଦୃତ ହୋଇଥାଏ । ଡ଼ିସେମ୍ୱର ୨୦୧୮ରେ ପ୍ରକାଶିତ ଏକ ବ୍ୟଙ୍ଗଚ଼ିତ୍ରରେ ଗଦାଏ ସମ୍ୱାଦ ଚ଼ିହ୍ନିତ କାଗଜ ବିଡ଼ା ତଳେ ଲୋକଟିଏ ଚ଼ାପି ହୋଇଯାଇଥିବା ଅଙ୍କନ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସମକାଳରେ ସାଧାରଣ ମଣିଷ କିପରି ତାହାରି ଉପରେ ବିଭିନ୍ନ ମଞ୍ଚରୁ ଲଦି ଦିଆଯାଉଥିବା ବିଭିନ୍ନ କିସମର ସୂଚ଼ନାର ପ୍ରାବଲ୍ୟରେ ହନ୍ତସନ୍ତ ହୋଇପଡୁଛି ତାହା ଚ଼ିତ୍ରଟିରେ ନିଖୂଣଭାବେ ପ୍ରସ୍ପୁଟିତ ହୋଇଥିଲା ।


 

‘ବୋଷ୍ଟନ କନସଲଟିଙ୍ଗ ଗୃପ’ ପକ୍ଷରୁ ‘କନଫଡ଼ରେସନ ଅଫ ଇଣ୍ଡିଆନ ଇଣ୍ଡାଷ୍ଟ୍ରୀ’ ନିମନ୍ତେ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସକ୍ରିୟ ଗଣମାଧ୍ୟମ ଉପଭୋକ୍ତାମାନେ ହାରାହରି ଦୈନିକ ୧୧.୮ ଘଣ୍ଟା ବିଭିନ୍ନ ଗଣମାଧ୍ୟମରେ ଉପସ୍ଥିତ ରହୁଥିଲେ । ଅର୍ଥାତ ଦିନକୁ ୨୪ ଘଣ୍ଟାରୁ ପ୍ରାୟ ୧୨ ଘଣ୍ଟା ଟେଲିଭିଜନ, ସ୍ମାର୍ଟଫୋନ, କମ୍ପ୍ୟୁଟର, ରେଡ଼ିଓ ବା ସମ୍ୱାଦପତ୍ର ସାନ୍ନିଧ୍ୟରେ ଅତିବାହିତ ହେଉଥିଲା । ଚ଼ୀନରେ ସକ୍ରିୟ ଗଣମାଧ୍ୟମ ଉପଭୋକ୍ତା ୬.୪ ଘଣ୍ଟା ଓ ଭାରତରେ ୪.୬ ଘଣ୍ଟା ଗଣମାଧ୍ୟମର ମଞ୍ଚଗୁଡ଼ିକରେ ଉପସ୍ଥିତ ରହୁଥିବା ହିସାବ କରାଯାଇଥିଲା ।


 

ଭାରତରେ ଗଣମାଧ୍ୟମ ବ୍ୟବହାର ବିଗତ ଛଅବର୍ଷଧରି ପ୍ରତିବର୍ଷ ନଅ ପ୍ରତିଶତ ହାରରେ ବଢ଼ିଚାଲିଛି । କିଛି ବର୍ଷ ମଧ୍ୟରେ ହୁଏତ ଭାରତୀୟମାନେ ମଧ୍ୟ ଚ଼ୀନବାସୀଙ୍କଭଳି ଦୈନିକ ଚ଼ତୁର୍ଥାଂଶ କିମ୍ୱା ଆମେରେକୀୟଙ୍କଭଳି ଦୈନିକ ଅର୍ଦ୍ଧେକ ସମୟ ଗଣମାଧ୍ୟମରେ ଉପଯୋଗ କରିବା ଅସମ୍ଭବ ନୁହେ ।


 

‘ମୋବାଇଲ ମାର୍କେଟିଂ ଏସୋସିଏସନ’ ପକ୍ଷରୁ ‘ଗୃପ-ଏମ’ ସହାୟତାରେ ଆୟୋଜିତ ଗବେଷଣାରୁ ଆକଳନ କରାଯାଇଛି ଯେ ୨୦୨୧ ସୁଦ୍ଧା ଭାରତରେ ଗଣମାଧ୍ୟମ ମଞ୍ଚଗୁଡ଼ିକ ଆହରଣ କରିବା ନିମନ୍ତେ ପ୍ରାୟ ୮୦ କୋଟି ଅନଲାଇନ ଉପକରଣ, ଯଥା: କମ୍ପ୍ୟୁଟର, ସ୍ମାର୍ଟଟେଲିଭିଜନ ବା ସ୍ମାର୍ଟଫୋନ ଇତ୍ୟାଦି ଉପଲବ୍ଧ ହେବ । ଅର୍ଥାତ ଅଧିକ ଲୋକ ଇଣ୍ଟରନେଟ ମଞ୍ଚରେ ପହଞ୍ଚିବେ ।


 

ଦେଶରେ ୨୦୧୭ ଓ ୨୦୧୮ ଦୁଇବର୍ଷ ମଧ୍ୟରେ ଇଣ୍ଟରନେଟ ଡ଼ାଟା ବ୍ୟବହାର ଯେ କେବଳ ବଢ଼ିଛି ତାହା ନୁହ, ଆନ୍ତର୍ଜାତିକ ବଜାରର ଦର ତୁଳନାରେ ଶସ୍ତା ମଧ୍ୟ ହୋଇଛି ।ବିଶ୍ୱସ୍ତରରେ ମୋବାଇଲ ଡ଼ାଟା ବ୍ୟବହାର କ୍ଷେତ୍ରରେ ଭାରତ ୧୫୫ ସ୍ଥାନରୁ ପ୍ରଥମକୁ ଉନ୍ନୀତ ହୋଇପାରିଛି । ବିସ୍ମୟକର ତଥ୍ୟ ଏହି ଯେ ଓଡ଼ିଶା ମୁଣ୍ଡପିଛା ମୋବାଇଲ ଡ଼ାଟା ବ୍ୟବହାରରେ ସର୍ବଭାରତୀୟସ୍ତରରେ ସର୍ବାଗ୍ରେ ରହିଛି ।୨୦୧୯ ରୁ ଫାଇବର-ଟୁ-ଦି-ହୋମ ପ୍ରଚଳନ ଫଳରେ ଉପଭୋକ୍ତାମାନେ ୧୦୦ ଏମବିପିଏସ ବେଗରେ ଇଣ୍ଟରନେଟ ପାଇପାରିବେ ଏବଂ ୫ଜି କାରିଗରୀକୌଶଳ ପରୀକ୍ଷାମୂଳକଭାବେ ବ୍ୟବହାର ଚୀନର ହୁୱାଇ ଓ ଦକ୍ଷିଣ କୋରିଆର ସାମସଙ୍ଗ ସହାୟତାରେ ଆରମ୍ଭ ହେବ ।


 

୫ଜି ନେଟୱାର୍କରେ ୪ଜି ନେଟୱାର୍କ ତୁଳନାରେ ଶତ ପ୍ରତିଶତ ବେଗ ବୃଦ୍ଧି ପାଇବ । ଫଳରେ ଆମ ଦେଶରେ ଇଣ୍ଟରନେଟ ବେଗକୁ ନେଇ ଯେଉଁ ଅଭିଯୋଗଥିଲା ତାହା ଦୁଇ ବର୍ଷ ମଧ୍ୟରେ ୨୦୨୦ ବେଳକୁ ଲୋପ ପାଇବ । ଇଣ୍ଟରନେଟ ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ପହଞ୍ଚିବା ସହ ଅଧିକ ଲୋକ ଅଧିକ ଉପକରଣ ଉପଯୋଗରେ ବ୍ୟବହାର କରିବେ, ଡ଼ାଟାର ବେଗ ବଢ଼ିବ ଓ ଦର ଶସ୍ତା ହେବ ।


 

ଆନ୍ତର୍ଜାତିକସ୍ତରରେ ପରିବ୍ୟାପ୍ତି ସହ ସମତାଳରେ ଭାରତର ବିସ୍ତୃତ ଭୌଗଳିକ ପରିସୀମା, ବିପୁଳ ଜନସଂଖ୍ୟା ଓ ବହୁମୁଖୀ ସାଂସ୍କୃତିକ ପରିଧିରେ ଅଧିକ ଲୋକ ଅଧିକ ସମୟ ଗଣମାଧ୍ୟମର ବିଭିନ୍ନ ମଞ୍ଚରେ ଉପସ୍ଥିତି ଦେଶୀୟ ଗଣମାଧ୍ୟମ ସ୍ଥିତାବସ୍ଥାରେ କେତେକ ପରିର୍ତ୍ତନର ପୁର୍ବାନୁମାନ କରାଯାଇପାରେ ।


 

ପ୍ରଥମତଃ ଇଣ୍ଟରନେଟ ମଞ୍ଚରେ ଜନସାଧାରଣ ଭିଡ଼ିଓ ଆଙ୍ଗୀକରେ ସମ୍ୱାଦ, ଅଭିମତ ଓ ମନୋରଞ୍ଜନମୂଳକ  ମୌଳିକ କାର୍ଯ୍ୟକ୍ରମ ସାଙ୍ଗକୁ ପାରମ୍ପରିକ ସମ୍ୱାଦପତ୍ର, ପତ୍ରପତ୍ରିକା, ଟେଲିଭିଜନ ଓ ଚଳଚ଼ିତ୍ର ଉପଭୋଗକରିବା ଫଳରେ ଇଣ୍ଟରନେଟ ଉଭୟ ବିଜ୍ଞାପନ ଓ ଗ୍ରାହକଚାନ୍ଦା ସଂଗ୍ରହରେ ଗୁରୁତ୍ୱ ହାସଲ କରିବ । ଫଳରେ ପାରମ୍ପରିକ ମଞ୍ଚଗୁଡ଼ିକ ବ୍ୟାବସାୟିକସ୍ତରରେ ଅବହେଳିତ ହେବେ । ଏହି ପରିପ୍ରେକ୍ଷୀରେ ପାରମ୍ପରିକ ଉତ୍ପାଦଗୁଡ଼ିକ ଗୁଣାତ୍ମକ ବିକାଶ ଉପରେ ନିର୍ଭରଶୀଳ ଓ ବଦାନ୍ୟତା ଆଶ୍ରିତ ହେବାକୁ ବାଧ୍ୟ ହେବେ। ଆନ୍ତର୍ଜାତିକସ୍ତରରେ ଏହି ପ୍ରବାହ ଆରମ୍ଭ ହୋଇସାରିଥିବାସ୍ଥଳେ ଭାରତୀୟ ଗଣମାଧ୍ୟମ ମଧ୍ୟ ପଦାଙ୍କ ଅନୁସରଣ କରିବା ନିଶ୍ଚିତ ।


 

ଦ୍ୱିତୀୟତଃ ଇଣ୍ଟରନେଟ ମଞ୍ଚର ମୁକ୍ତ ପରିବେଶ, ବୈଷୟିକ ଉଦ୍ଭାବନଜନିତ ଶସ୍ତା ଉପକରଣ ଓ କମ ପ୍ରଯୋଜନା ଖର୍ଚ୍ଚ ସୃଜନ ବିକାଶ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିବ । ଉଦାହରଣରେ ଅତୀତରେ ଚଳଚ଼ିତ୍ର ନିର୍ମାଣଲାଗି ସାଧାରଣ ପ୍ରତିଭାଟିଏ ସୁଯୋଗ ଖୋଜି ପାଇପାରୁ ନଥିବା ସ୍ଥଳେ ୨୦୧୭ରେ ଆସାମର ରିମା ଦାସଭଳି ଝିଅଟିଏ ବିନା ସମ୍ୱଳରେ ନିଜ ଗ୍ରାମରେ ଦଳେ ପିଲାଙ୍କୁ ଧରି ଏସଏଲଆର କ୍ୟାମରାରେ ‘ଭିଲେଜ ରକଷ୍ଟାର’ଭଳି ଚଳଚ଼ିତ୍ର ନିର୍ମାଣ କରି ‘ଅସ୍କାର’ ପୁରସ୍କାର ପାଇଁ ଭାରତ ପକ୍ଷରୁ ମନୋନୀତ ହେବା ସୌଭାଗ୍ୟ ଅର୍ଜନ କରିପାରିଲେ ।


 

ତୃତୀୟତଃ ଗଣମାଧ୍ୟମ ଦ୍ୱାରା ଜନଜୀବନ ଅଧିକରୁ ଅଧିକ ପ୍ରଭାବିତ ହେବ । ସାମାଜିକ, ସାଂସ୍କୃତିକ, ରାଜନୀତିକ ପରକୁ ଅର୍ଥନୀତି, ସ୍ୱାସ୍ଥ୍ୟରକ୍ଷା, ଶିକ୍ଷାଭଳି କ୍ଷେତ୍ରକୁ ଗଣମାଧ୍ୟମ ନିଜ ଅକ୍ତିଆରକୁ ନେବ । ତଥାକଥିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚ଼ନ ପ୍ରଚ଼ାର ଅଭିଯାନରେ ଋଷର ଅନୁପ୍ରବେଶ ଅଭିଯୋଗର ଉଦାହରଣ ସୁଦୂର ଭବିଷ୍ୟତରେ ଆନ୍ତର୍ଜାତିକ ପ୍ରେକ୍ଷାପଟ୍ଟରେ ଡ଼ିଜିଟାଲ ଗଣମାଧ୍ୟମର ଔପନିବେଶିକ ପ୍ରଭାବର ସୂଚ଼ନା ଦେଇଥାଏ । ମଧ୍ୟ-ପ୍ରାଚ଼୍ୟରେ ଆତଙ୍କବାଦ ପ୍ରସାର ନିମନ୍ତେ ଡ଼ିଜିଟାଲ ମଞ୍ଚର ବ୍ୟବହାର ବହୁ ସୂତ୍ରରେ ପ୍ରମାଣିତ । ଗଣମାଧ୍ୟମର ନକାରତ୍ମକ ପ୍ରଭାବର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ।


 

ଚ଼ତୁର୍ଥତଃ ଗଣମାଧ୍ୟମ ପରିଚ଼ାଳନା ଭାର ଏକେତ ଅତି ବୃହତ କିମ୍ୱା ଅତିଶୟ କ୍ଷୁଦ୍ର ସଂସ୍ଥାମାନଙ୍କ ହାତକୁ ଯିବ। ମଧ୍ୟମ ଧରଣର ଉଦ୍ୟୋଗ ଗୁରୁତ୍ୱ ହରାଇବ ।ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଶ୍ରେଷ୍ଠ ପ୍ରତିଭାମାନେ ନିୟୋଜିତ ହେବା ସ୍ଥଳେ ସ୍ଥାନୀୟସ୍ତରରେ ସାଧାରଣ ଉପଭୋକ୍ତା ନିଜେ ସାମାଜିକ ଗଣମାଧ୍ୟମରେ ପ୍ରସାରଣଲାଗି ଉତ୍ପାଦ ପ୍ରଯୋଜନାରେ ସଂପୃକ୍ତହେବେ । ଏଥିନିମନ୍ତେ ସ୍ମାର୍ଟଫୋନ, ଆପ ଭଳି ବୈଷୟିକ କଳାକୌଶଳ ସଭିଁଙ୍କ ହାତପାଆନ୍ତାରେ ଉପଲବ୍ଧ ।


 

ପଞ୍ଚମତଃ ଗଣମାଧ୍ୟମ ଉତ୍ପାଦ ପ୍ରଯୋଜନା ଓ ପ୍ରସାରଣରେ ବିବିଧତା ପ୍ରାଧାନ୍ୟଲାଭ କରିବ । ପାରମ୍ପରିକ ସମ୍ୱାଦପତ୍ର ହେଉ ବା ଟେଲିଭିଜନ କାର୍ଯ୍ୟକ୍ରମର ଧରାବନ୍ଧା ଦୈର୍ଘ୍ୟପ୍ରସ୍ଥ ଓ ଆଙ୍ଗୀକ ବନ୍ଧନୀଆବଦ୍ଧ ନୀତିନିୟମରୁ ମୁକ୍ତ ପାଇବ ।ସେହିପରି ପାଠକ ଓ ଦର୍ଶକମାନେ ଗୁଡ଼ାଏ ବଦଳରେ ନିର୍ବାଚ଼ିତ କେତେଗୋଟି ବିଷୟ ପ୍ରତି ଆଗ୍ରହାନ୍ୱିତ ହେବେ । ଅନେକଙ୍କ ପାଇଁ ନିଜ ବନ୍ଧୁବାନ୍ଧବ, ସାଙ୍ଗସାଥି ତଥା ପସନ୍ଦ ପ୍ରତିଭାଙ୍କ ସଂପର୍କରେ ବିବରଣୀ ପାରମ୍ପରିକ ସମ୍ୱାଦ ତୁଳନାରେ ଗୁରୁତ୍ୱ ବହନ କରିବ । ଏହିଭଳି ପରିବର୍ତ୍ତନ ଗଣମାଧ୍ୟମର ସ୍ଥିତାବସ୍ଥାକୁ ବଦଳାଇଦେବ ବୋଲି ଆଶା କରାଯାଇପାରେ ।


 

ଭାରତରେ ୨୦୧୯ ଓ ୨୦୨୦ ଦୁଇବର୍ଷ ମଧ୍ୟରେ ଉପଭୋକ୍ତାମାନେ ୪ଜିରେସଂପୂର୍ଣ୍ଣରୂପେ ସାମିଲ ହୋଇ ୫ଜି ଇଣ୍ଟରନେଟ ନେଟୱାର୍କ ମୁହାଁ ହେବା ନିଶ୍ଚିତ ପ୍ରାୟ । ୨୦୨୨ ବେଳକୁ ଆମେ ଗଣମାଧ୍ୟମସ୍ତରରେ ବିକଶିତ ରାଷ୍ଟ୍ରଗୁଡ଼ିକ ସହ ସମକକ୍ଷ ହେବା ଆଶା କରାଯାଉଛି । ଏହି ପରିବର୍ତ୍ତିତ ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ଗଣମାଧ୍ୟମ କର୍ମୀ ଓ ଉପଭୋକ୍ତା ଉଭୟଙ୍କ ନିମନ୍ତେ ତାଲିମ ଓ ସଚ଼େତନତା ଆବଶ୍ୟକ । ଡ଼ିଜିଟାଲ ମଞ୍ଚରେ ସୃଜନ ତଥ୍ୟାଶ୍ରୟୀ ଓ ପରିସଂଖ୍ୟାନଭିତ୍ତିକ ପରିବେଶରେ ବିକଶିତ ହେଉଥିବା ହେତୁ ଗଣମାଧ୍ୟମ ଅଧ୍ୟୟନ ଓ ଗବେଷଣା ଅପରିହାର୍ଯ୍ୟ ।    



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଡ଼ିସେମ୍ୱର ୨୦୧୮

ଗଣମାଧ୍ୟମ ପରିବେଶ ପୂର୍ବାନୁମାନ ୨୦୨୦

ଓଡ଼ିଶା ତଥା ଭାରତରେ ୨୦୨୦ ମସିହାରେ ଗଣମାଧ୍ୟମ ପରିବେଶ ପୂର୍ବାନୁମାନ କରିବାକୁ ଯିବାବେଳେ ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମ ସ୍ଥିତାବସ୍ଥା ପରିସଂଖ୍ୟାନ ଅଧ୍ୟୟନ ଯୁକ୍ତିଯୁକ୍ତ ମନେହୁଏ । ବିଶ୍ୱବ୍ୟାପୀ ଜନସାଧାରଣଙ୍କ ଗଣମାଧ୍ୟମରେ ସଂପୃକ୍ତି ଅର୍ଥାତ ବିଭିନ୍ନ ଗଣମାଧ୍ୟମ ମଞ୍ଚରେ ଉପସ୍ଥିତି କ୍ରମଶଃ ବଢ଼ିଚାଲିଛି । ମୋଟାମୋଟିଭାବେ ବିଭିନ୍ନ ଗଣମାଧ୍ୟମ ମଞ୍ଚରେ ଭାରତୀୟ ଉପଭୋକ୍ତା ଦୈନିକ ହାରାହାରି ପାଞ୍ଚ ଘଣ୍ଟା ବିତାଉଥିବାବେଳେ ବିକଶିତ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବୋଚ୍ଚ ସୀମା ବାରଘଣ୍ଟା ହିସାବ କରାଯାଏ । ଚୀନ, ଜାପାନ ଓ ଦକ୍ଷିଣ କୋରିଆରେ ଦୈନିକ ସାଢ଼େ ଛଅ ଘଣ୍ଟାରୁ ସାଢ଼େ ସାତ ଘଣ୍ଟା ଗଣମାଧ୍ୟମ ସଂପୃକ୍ତି ଅଭ୍ୟାସ କ୍ରମଶଃ ଉର୍ଦ୍ଧ୍ୱଗାମୀ ହେବାରେ ଲାଗିଛି ।


 

ଗଣମାଧ୍ୟମ ଆହରଣ କରିବା ନିମନ୍ତେ ଉପଭୋକ୍ତାମାନେ ଅଧିକରୁ ଅଧିକ ମାତ୍ରାରେ ମୋବାଇଲ ଉପକରଣ, ଯଥା: ଲାପଟପ, ଟେବଲେଟ, ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୯ରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଉପଭୋକ୍ତା ଟେଲିଭିଜନ ଦେଖାରେ ଦୈନିକ ୩.୩୫ ଘଣ୍ଟା ବିତାଇବାବେଳେ ମୋବାଇଲ ଫୋନରେ ୩.୪୩ ଘଣ୍ଟା କଟାଇବା ଜଣାଯାଏ । ୨୦୧୪ରେ ସେମାନେ ଟେଲିଭିଜନର ୪.୨୦ ଘଣ୍ଟା ଓ ମୋବାଇଲରେ ୨.୩୨ ଘଣ୍ଟା ବିତାଇବା ସ୍ଥଳେ ୨୦୨୧ ସୁଦ୍ଧା ଟେଲିଭିଜନରେ ୩.୨୨ ଘଣ୍ଟା ଓ ମୋବାଇଲରେ ୩.୫୪ ଘଣ୍ଟା କଟାଇବା ଆକଳନ କରାଯାଉଛି । ଚୀନବାସୀ ଦୈନିକଭିତ୍ତିରେ ହାରାହାରି ୩.୫୪ ଘଣ୍ଟା ଡ଼ିଜିଟାଲ ଏବଂ ୨.୪୪ ଘଣ୍ଟା ପାରମ୍ପରିକ ଗଣମାଧ୍ୟମ ମଞ୍ଚରେ ଅତିବାହିତ କରୁଛନ୍ତି ।


 

ବିକଶିତ ରାଷ୍ଟ୍ରଗୁଡ଼ିକରେ ଜନସାଧାରଣଙ୍କ ଗଣମାଧ୍ୟମରେ ସଂପୃକ୍ତି ଓ ଅଭ୍ୟାସ କ୍ରମଶଃ ଭାରତରେ ପ୍ରତିଫଳନ ଆଶା କରାଯାଏ । ଅର୍ଥାତ ନିକଟ ଭବିଷ୍ୟତରେ ଦେଶବାସୀ ଅଧିକ ସମୟ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଉପସ୍ଥିତ ରହିବେ ଏବଂ ଏଥିଲାଗି ମୋବାଇଲ ଉପକରଣ ଉପଯୋଗ କରିବେ । ଦେଶରେ ୨୦୧୯ ଶେଷ ସୁଦ୍ଧା ୬୫ କୋଟିରୁ ଉର୍ଦ୍ଧ୍ୱ ଇଣ୍ଟରନେଟ ଉପଭୋକ୍ତା ହିସାବ କରାଯାଏ । ଏମାନଙ୍କ ମଧ୍ୟରେ ୬୭ ପ୍ରତିଶତ ପୁରୁଷ ଏବଂ ଦୁଇ-ତୃତୀୟାଂଶ ୧୨ ରୁ ୨୯ ବର୍ଷ ବୟସ୍କ କିଶୋର ଓ ଯୁବବର୍ଗରେ ଅନ୍ତର୍ଭୁକ୍ତ । ପ୍ରାୟ ୮୦ ପ୍ରତିଶତ ଉପଭୋକ୍ତା ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ମଞ୍ଚରେ ପହଞ୍ଚିଥାନ୍ତି । ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ୫୨ କୋଟି ଥିବା ସ୍ଥଳେ ୨୦୨୨ରେ ୯୦ କୋଟି ପହଞ୍ଚିବା ଆକଳନ କରାଯାଏ । ସମ୍ୱାଦପତ୍ର ପାଠକ ସଂଖ୍ୟା ୪୦ କୋଟିରେ ସୀମିତ ଥିବା ଏବଂ ୮୩ କୋଟି ଟେଲିଭିଜନ ଦର୍ଶକଙ୍କ ମଧ୍ୟରୁ ଅଧିକାଂଶ ସ୍ମାର୍ଟଫୋନ ଯୋଗେ ଟେଲିଭିଜନ କାର୍ଯ୍ୟକ୍ରମ ଆହରଣ କରୁଥିବା ପ୍ରଚଳିତ ଧାରା ।


 

ଆନ୍ତର୍ଜାତିକସ୍ତରରେ ଇଣ୍ଟରନେଟ ବ୍ୟବହାରର ପ୍ରଚଳିତ ଧାରା ଭାରତରେ ଭିନ୍ନ ରୂପ ଧାରଣ କରୁଛି । ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ମଞ୍ଚରେ ଉପସ୍ଥିତି, ଆଧିକମାତ୍ରାରେ ଭିଡ଼ିଓ ଆହରଣ ଓ ଆଞ୍ଚଳିକ ଭାଷା ବ୍ୟବହାରର ଏକ ନୂତନ ସଂସ୍କୃତି ଗଢ଼ିତୋଳୁଛି । ଦେଶରେ ପ୍ରଥମ ୫୦ କୋଟି ଇଣ୍ଟରନେଟ ଉପଭୋକ୍ତା ମେଟ୍ରୋ ଓ ବଡ଼ ସହର ବାସିନ୍ଦା ହୋଇଥିବା ସ୍ଥଳେ ପରବର୍ତ୍ତୀ ୫୦ କୋଟି ଆଭ୍ୟନ୍ତରୀଣ ଅଞ୍ଚଳରୁ ସାମିଲ ହେବେ । ପରିବର୍ତ୍ତିତ ପରିବେଶରେ ସାମାଜିକ, ଅର୍ଥନୀତିକ ଓ ସାଂସ୍କୃତିକ ବିବିଧତାରେ ପରିସ୍ପୁଟିତ ଅନଲାଇନ ପରିବେଶର ପ୍ରଭାବ ବହୁ ଜଟିଳ ସମସ୍ୟା ସୃଷ୍ଟି କରିବା ସ୍ୱାଭାବିକ ।


 

ସର୍ବଭାରତୀୟସ୍ତରରେ ଇଣ୍ଟରନେଟ ଆନ୍ଦୋଳନରେ ଓଡ଼ିଶା ଭାଗୀଦାର । ରାଜ୍ୟର ସମୁଦାୟ ୬୭୭୫ ଗୋଟି ଗ୍ରାମପଞ୍ଚାୟତ ମଧ୍ୟରୁ ୩୬୯୭ ଗୋଟି ଗ୍ରାମପଞ୍ଚାୟତ ବ୍ରଡ଼ବ୍ୟାଣ୍ଡ ସେବା ଉପଲବ୍ଧ । ଅର୍ଥାତ ୨୦୧୯ ସୁଦ୍ଧା ୩୦୭୮ ଗ୍ରାମପଞ୍ଚାୟତରେ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସେବା ଏବଂ ୬,୫୪୯ ଗ୍ରାମରେ ମୋବାଇଲ ସେବା ଅପହଞ୍ଚ । ଇଣ୍ଟରନେଟ ଓ ମୋବାଇଲ ସଂଯୁକ୍ତି କ୍ଷେତ୍ରରେ ପଛୁଆ ରହିଥିଲେ ହେଁ ଓଡ଼ିଶାରେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ମଧ୍ୟରେ ଡ଼ାଟା ବ୍ୟବହାରରେ ଜାତୀୟସ୍ତରରେ ଆଗୁଆ ରହିଥିବା ଜଣାଯାଏ । ଏଥିରୁ ସ୍ପଷ୍ଟ ସୂଚ଼ିତ ହୁଏ ଯେ ଇଣ୍ଟରନେଟର ପ୍ରସାର ଓଡ଼ିଶାରେ ଗଭୀର ଆଭ୍ୟନ୍ତରୀଣ ଅଞ୍ଚଳରେ ବ୍ରଡ଼ବ୍ୟାଣ୍ଡ ଏବଂ ମୋବାଇଲ ଇଣ୍ଟରନେଟ ସେବା ବ୍ୟବହାର କରାଯିବା ସମୟସାପେକ୍ଷ ଥିଲେ ହେଁ ଆଗୁଆ ଛୋଟବଡ଼ ସହରାଞ୍ଚଳରେ ସ୍ମାର୍ଟଫୋନ ଯୋଗେ ଭିଡ଼ିଓ ଆହରଣ ଅନଲାଇନ ଧାରାରେ ପରିଣତ ହେବ ।


 

ଭିଡ଼ିଓ ପ୍ରଦର୍ଶନ କ୍ଷେତ୍ରରେ ଓଭର-ଦି-ଟପ ‘ଓଟିଟି’ ପ୍ଳାଟଫର୍ମଗୁଡ଼ିକ ମଧ୍ୟରେ ‘ୟୁଟ୍ୟୁବ’ ଲୋକପ୍ରିୟତା ହାସଲ କରିଛି । ଏହି ମଞ୍ଚ ୨୦୧୯ ସେପ୍ଟେମ୍ୱର ମାସରେ ୬୭ କୋଟି ୫୦ ଲକ୍ଷ ଦର୍ଶକ ବ୍ୟବହାର କରିଥିଲେ ଏବଂ ବାର୍ଷିକ ବିଜ୍ଞାପନ ଆୟ ଦୁଇ ହଜାର କୋଟି ଟଙ୍କା ଛୁଇଁଥାଏ । ବିନା ଦେୟରେ ଏଭଳି ଏକ ମଞ୍ଚରେ ପ୍ରଯୋଜକମାନେ ଭିଡ଼ିଓ ଆପଲୋଡ଼ ତଥା ଦର୍ଶକ ଉପଭୋଗ କରିପାରୁଥିବା ହେତୁ ସୃଜନ କ୍ଷେତ୍ରରେ ୟୁଟ୍ୟୁବ ଏକ ନୂତନ ସମୀକରଣ ସୃଷ୍ଟି କରିଛି । ଉଦାହରଣରେ ଓଡ଼ିଆରେ ଏକ କ୍ଷୁଦ୍ରଗଳ୍ପ ରଚନା ପରେ ପ୍ରକାଶନ ଏବଂ ଏକ ବୃହତ ପାଠକଗୋଷ୍ଠୀଙ୍କ ନିକଟରେ ପହଞ୍ଚିବା ସମସ୍ୟାବହୁଳ ପ୍ରମାଣିତ ହେଉଥିବା ସ୍ଥଳେ କ୍ଷୁଦ୍ରଗଳ୍ପର ନାଟ୍ୟରୂପାନ୍ତର ଭିଡ଼ିଓ ଦର୍ଶକଙ୍କ ହାତପାଆନ୍ତାରେ ପହଞ୍ଚିବା ‘ୟୁଟ୍ୟୁବ’ ଓ ସ୍ମାର୍ଟଫୋନ ଜରିଆ ସହଜପ୍ରଦ ହୋଇପାରେ ।


 

ଏହିଭଳି ସମ୍ଭାବନା ୨୦୧୯ରେ ପ୍ରାଥମିକସ୍ତରରେ ଥିବାସ୍ଥଳେ ଭିଡ଼ିଓ ପ୍ରଦର୍ଶନ ଓ ଉପଭୋଗର ଭିତ୍ତିଭୂମି ସୁଦୃଢ଼ ହୋଇସାରିଥିବା ହେତୁ ୨୦୨୦ର ପରବର୍ତ୍ତୀ କାଳରେ ସୃଜନ କ୍ଷେତ୍ରରେ ନୂତନ ସମୀକରଣ ସୃଷ୍ଟି ହେବା ଆଶା କରାଯାଇପାରେ । ଗଣମାଧ୍ୟମ ବିଶେଷଜ୍ଞମାନେ ଦେଶର ଆଭ୍ୟନ୍ତରୀଣ ଇଲାକାରେ ଅନଲାଇନ ପରିବେଶରେ ଦୃତ ପରିବର୍ତ୍ତନରେ ଚକିତ ହୋଇପଡୁଛନ୍ତି । ଗ୍ରାମାଞ୍ଚଳ ତଥା ଅଳ୍ପଶିକ୍ଷିତ ଇଣ୍ଟରନେଟ ଉପଭୋକ୍ତାମାନଙ୍କ ମଧ୍ୟରେ ପ୍ରଯୁକ୍ତି କୌଶଳର ଅତ୍ୟାଧୁନିକ ବିଭବମାନ ବ୍ୟବହାରର କଳ୍ପନା ବର୍ହିଭୂତ ଉଦାହରଣମାନ ଦେଖିବାକୁ ମିଳୁଛି ।


 

ଲିଖିତ ଭାଷା ପ୍ରଚଳନ ପରେ ଊନବିଂଶ ଶତାଦ୍ଦୀ ଅପରାର୍ଦ୍ଧରେ ମୁଦ୍ରଣ ଯନ୍ତ୍ର ବିକାଶ କାଳରେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସମାଜ ଯେଉଁ ସଂକଟର ସମ୍ମୁଖୀନ ହୋଇଥିଲା ତାହା ୨୦୨୦ରେ ଅନଲାଇନ ଗଣମାଧ୍ୟମ ପରିବେଶର ପ୍ରସାର ଅବସରରେ ପୁନର୍ବାର ମୁଣ୍ଡଟେକିଛି ବୋଲି କହିବାକୁ ହେବ । ଓଡ଼ିଆ ଦର୍ଶକ ଯେତେବେଳେ ନିଜ ସ୍ମାର୍ଟଫୋନ ପରଦାରେ ଓଡିଆ ଭିଡ଼ିଓ ଖୋଜିବେ, ତାହା ନପାଇଲେ ସେମାନେ ପ୍ରତିବେଶୀ ଭାଷାର ଭିଡ଼ିଓ ପ୍ରତି ଯେ ଆକୃଷ୍ଟ ହେବେ ଏଥିରେ ସନ୍ଦେହ ନାହିଁ । ଫଳରେ ଓଡ଼ିଆ ସାଂସ୍କୃତିକ ଜୀବନ ଦୁର୍ବଳ ହୋଇପଡ଼ିବ । ଏହି ସମସ୍ୟାର ସମାଧାନ ନିମନ୍ତେ ଓଡ଼ିଆ ଭାଷାରେ କିଭଳି ଉଚ୍ଚମାନର ଭିଡ଼ିଓ ପ୍ରସ୍ତୁତ ହୋଇପାରିବ ସେଦିଗରେ ଯତ୍ନବାନ ହେବାକୁ ପଡ଼ିବ । ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନର ପୃଷ୍ଠଭୂମିରେ ମୁଦ୍ରିତ ଓଡ଼ିଆ ପୁସ୍ତକ ରଚନା ନିମନ୍ତେ ଯେପରି ପ୍ରଚ଼େଷ୍ଟା କରାଯାଇଥିଲା ତାହାର ପୁନରାବୃତ୍ତି ଆବଶ୍ୟକ । ଓଡ଼ିଆ ସାହିତ୍ୟରେ ଅନଲାଇନ ପରିବେଶ ଉପଯୋଗୀ ସୃଜନ ନିୟନ୍ତ୍ରଣରେ ଏକ ଜରୁରୀ ଆବଶ୍ୟକତାରେ ପରିଣତ ହୋଇଛି ।


 

ଓଡ଼ିଆ ଭାଷାରେ ଭିଡ଼ିଓର ଗୁଣାତ୍ମକ ବିକାଶ ପ୍ରତି ମୂଳରୁ ଯତ୍ନଶୀଳ ହେବାକୁ ପଡ଼ିବ । ଏଦିଗରେ ପ୍ରତିଭାଧରମାନଙ୍କ ଯୋଗଦାନ ସର୍ବାଗ୍ରେ ଅଭିନନ୍ଦନୀୟ । କର୍ପୋରେଟ ଓ ସରକାରୀ ସୂତ୍ରରୁ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇପାରିଲେ ଭଲ । ତେବେ ଓଡ଼ିଶା ଅଭିଜ୍ଞତାରେ ସେଭଳି ଅର୍ଥ ଉଚିତଙ୍କ ବଦଳରେ ଅନୁଚିତ ବର୍ଗ ହାତେଇନେବା ଉଦାହରଣର ଅଭାବ ନାହିଁ । ସରକାରୀସ୍ତରରେ ଓଡ଼ିଶା ଚଳଚ଼ିତ୍ର ଉନ୍ନୟନ ନିଗମ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ, ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡ଼ିଶା ଭର୍ଚୁଆଲ ଏକାଡ଼େମୀ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭଳି ଅନୁଷ୍ଠାନଗୁଡ଼ିକ ଅନ୍ତତଃପକ୍ଷେ ଚ଼ିତ୍ରନାଟ୍ୟ ରଚନା, ଚ଼ିତ୍ରଗ୍ରହଣ ଓ ସମ୍ପାଦନା, ଦେଶବିଦେଶର କ୍ଷୁଦ୍ର ଚଳଚ଼ିତ୍ର ପ୍ରଦର୍ଶନ ତଥା ସମୀକ୍ଷା ଭଳି କାର୍ଯ୍ୟକ୍ରମମାନ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ନିୟମିତ ଆୟୋଜନ କରିପାରିଲେ ଭିଡ଼ିଓ ନିର୍ମାଣରେ ଗୁଣାତ୍ମକ ବିକାଶ ପ୍ରତି ସଚ଼େତନତା ସୃଷ୍ଟି ସଂଭବପର । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ସ୍ନାତକୋତ୍ତର ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗଗୁଡ଼ିକ ମଧ୍ୟ ଏହିଭଳି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।


 

ଭିଡ଼ିଓ ପ୍ରଯୋଜନା ନିମନ୍ତେ ସ୍ମାର୍ଟଫୋନରେ ଚ଼ିତ୍ର ଗ୍ରହଣ ଓ ଲାପଟପ ଯୋଗେ ସମ୍ପାଦନା ଭଳି କମ ଖର୍ଚ୍ଚର ବୈଷୟିକ ସୁଯୋଗ ସୁବିଧାର ବ୍ୟାବହାରିକ ଦିଗ ପ୍ରତି ତାଲିମ ଓଡ଼ିଆ ଭାଷାରେ ଭିଡ଼ିଓ ପ୍ରଯୋଜନା ନିମନ୍ତେ ଅଧିକରୁ ଅଧିକ ସଂଖ୍ୟକଙ୍କୁ ଆକୃଷ୍ଟ କରିବା ସଙ୍ଗେ ଅଧିକମାତ୍ରାରେ ଭିଡ଼ିଓ ପ୍ରସ୍ତୁତିରେ ସହାୟକ ହେବା ଆଶା କରାଯାଇପାରେ । ସଂଖ୍ୟାଧିକ ଭିଡ଼ିଓ ପ୍ରଦର୍ଶନ ସ୍ମାର୍ଟଫୋନ ପରଦାରେ ସୀମିତ ରହୁଥିବା ହେତୁ କମ ଖର୍ଚ୍ଚରେ ଭିଡ଼ିଓ ନିର୍ମାଣକୁ ପ୍ରାଧାନ୍ୟ ଦିଆଯିବା ବୁଦ୍ଧିମାନ କାର୍ଯ୍ୟ ହେବ । ଏହି ପଦ୍ଧତିରେ ବୈଷୟିକ ଗୁଣାତ୍ମକମାନର ଦ୍ୱାହି ଦେଇ ବିରୋଧ କରିବା ଧୃଷ୍ଟତାର ପରିଚୟ ଦେବ । ଓଡ଼ିଆ ସାଂସ୍କୃତିକ ଜୀବନକୁ ପରିପୃଷ୍ଟ କରିବା ନିମନ୍ତେ ଅଧିକ ସୃଜନ ପ୍ରତିଭାଙ୍କୁ ସଂଶ୍ଳିଷ୍ଟ କରିବା ଓ ଅଧିକ ଭିଡ଼ିଓ ପ୍ରସ୍ତୁତ କରିବା ସମୟର ଆହ୍ୱାନ । ବୈଷୟିକମାନ ବଦଳରେ ସୃଜନଶୀଳତାକୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ ।     



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଡ଼ିସେମ୍ୱର ୨୦୧

ଗଣମାଧ୍ୟମ ପୂର୍ବାନୁମାନ ୨୦୨୨

ମୌଳିକଭାବେ ଗଣମାଧ୍ୟମ ବୈଷୟିକ ପ୍ରଗତିର ଅଂଶବିଶେଷ । ମୁଦ୍ରଣ ଯନ୍ତ୍ରଠାରୁ ଆରମ୍ଭକରି ଉପଗ୍ରହ ମାଧ୍ୟମରେ ଇଣ୍ଟରନେଟ ସଂଯୁକ୍ତି ବିତରଣ ଯାଏଁ ପ୍ରତ୍ୟେକଟି ଉଦ୍ଭାବନ ଗଣମାଧ୍ୟମର ଗତିପ୍ରକୃତିକୁ ନିୟନ୍ତ୍ରିତ କରିଆସିଛି । ପାରମ୍ପରିକଭାବେ ଗଣମାଧ୍ୟମ ଉଦ୍ଭାବନମାନ ଭୌଗଳିକ ପରିସୀମା ଅତିକ୍ରମ କରିବା ନିମନ୍ତେ ଦୀର୍ଘ ସମୟର ଅବଧି ଆବଶ୍ୟକ କରୁଥିବା ସ୍ଥଳେ ଏକବିଂଶ ଶତାଦ୍ଦୀବେଳକୁ ଅନେକାଂଶରେ ହ୍ରାସ ପାଇଛି । ଉଦାହରଣରେ ମୁଦ୍ରଣ ପଦ୍ଧତି ୟୁରୋପରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲୋକପ୍ରିୟ ହେବା ଲଗି ଶହେରୁ ଦୁଇ ଶହ ବର୍ଷ ଲାଗିଥିବା ସ୍ଥଳେ ଟେଲିଯୋଗାଯୋଗରେ ୫ଜି କଳାକୌଶଳ ଦୁଇ ଚାରି ବର୍ଷ ଅନ୍ତରରେ ସର୍ବତ୍ର ଉପଲବ୍ଧ ହେବା ସୁସ୍ପଷ୍ଟ ।


 

ଭାରତରେ ୫ଜି ବୈଷୟିକ କୌଶଳ ୨୦୨୨ରେ ପ୍ରଚଳନ ହେବ । ଡ଼ିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ ପକ୍ଷରୁ ୨୦୨୧ ଡ଼ିସେମ୍ୱର ଶେଷ ସପ୍ତାହରେ ୫ଜି ବ୍ୟାବସାୟିକ ସେବା ପ୍ରଥମେ ଦେଶର ୧୩ ଗୋଟି ବଡ଼ ସହରରେ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ସେଥିମଧ୍ୟରେ ଦିଲ୍ଲୀ, ଗୁରୁଗ୍ରାମ, ମୁମ୍ୱାଇ, ପୁଣେ, ଚେନ୍ନାଇ, କୋଲକତା, ବାଙ୍ଗାଲୁରୁ ହାଇଦରାବାଦ, ଚଣ୍ଡୀଗଡ଼, ଲକ୍ଷ୍ମୌ, ଅହମ୍ମଦାବାଦ, ଗାନ୍ଧୀନଗର ଓ ଜାମନଗର ଅନ୍ତର୍ଭୁକ୍ତ । ରିଲାଏନ୍ସ ଜିଓ, ଭାରତୀ ଏୟାଟେଲ ଓ ଭୋଡ଼ାଫୋନ ଆଇଡ଼ିଆ ପକ୍ଷରୁ ୨୦୨୧ ବର୍ଷ ସାରା ୫ଜି ସେବା ଯୋଗାଯୋଗକୁ ନେଇ ପରୀକ୍ଷାନିରୀକ୍ଷା ଚାଲିଥିଲା ।


 

ତଥ୍ୟାଭିଜ୍ଞମାନେ ୨୦୨୨ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ଭାରତରେ ୫ଜି ସେବା ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରିବା ନିମନ୍ତେ ସରକାର ଆଗ୍ରହ ପ୍ରକାଶ କରିଥିବା ଉଲ୍ଲେଖ କରିଥାନ୍ତି । ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫ଜି ସ୍ପେକ୍ଟମର ନିଲାମ ୨୦୨୨ ଏପ୍ରିଲ-ମେ ମାସରେ ହୋଇପାରେ ବୋଲି କହିଥିଲେ । କିନ୍ତୁ ଟେଲିକମ ରେଗୁଲେଟରୀ ଅଥାରିଟି ଅଫ ଇଣ୍ଡିଆ ୨୦୨୨ ମାର୍ଚ୍ଚ ସୁଦ୍ଧା ସ୍ପେକ୍ଟ୍ରମ ନିଲାମ ସଂପର୍କୀତ ସୁପାରିଶ ପ୍ରଦାନ କରିବା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିବା ହେତୁ ନିଲାମ ଜୁନ ମାସକୁ ଘୁଞ୍ଚିଯାଇପାରେ ବୋଲି ବିଚାର କରାଯାଉଛି ।


 

ଭାରତରେ ୫ଜି ଟେଲିକମ ବୈଷୟିକ କୌଶଳ ପ୍ରବେଶ ୨୦୨୨ ବର୍ଷ ପାଇଁ ଏକ ପ୍ରମୁଖ ଘଟଣାର ମାନ୍ୟତା ପାଇବ । ଯୋଗାଯୋଗ, ବ୍ୟବସାୟ ଓ ପ୍ରଶାସନରେ ଡ଼ିଜିଟାଲ ରୂପାନ୍ତରରେ ଏକରକମ ସ୍ଥିରତା ଆସିଯାଇଥିବା ସ୍ଥଳେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ଆବଶ୍ୟକତା ରହିଛି । ଟେଲିଯୋଗାଯୋଗରେ ୫ଜି ସେବା ଏହିସବୁ ଦିଗରେ ବ୍ୟାପକ ପରିବର୍ତ୍ତନର ବାହକ ହେବା ଆଶା କରାଯାଏ ।


 

ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ମହାମାରୀରେ ଯେଉଁସବୁ ପରିବର୍ତ୍ତନ ସଂଘଟିତ ହୋଇଥିଲା ୫ଜି ଟେଲିଯୋଗାଯୋଗ ସେବା ପ୍ରଚଳନ ଫଳରେ ତ୍ୱରାନ୍ନିତ ହେବା ସଂଭବ । ଉଦାହରଣରେ ଇ-ଗେମିଂ କଥା ଧରାଯାଉ । ଡ଼ିସେମ୍ୱର ୨୦୨୧ ସୁଦ୍ଧା ଦେଶରେ ୫୦ କୋଟି ସ୍ମାର୍ଟଫୋନ ବ୍ୟବହୃତ ହେଉଥିବା ହିସାବ କରାଯାଏ । ଏଥିମଧ୍ୟରୁ ୪୩ କୋଟି ସ୍ମାର୍ଟଫୋନ ଉପଭୋକ୍ତା କୌଣସି ଇ-ଗେମରେ ସଂପୃକ୍ତ ଏବଂ ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ମାସିକ ହାରାହାରି ୨୩୦ ଟଙ୍କା ଯାଏଁ ଗ୍ରାହକ ଚାନ୍ଦା ଦେଇଥାନ୍ତି ।


 

ଭାରତରେ ୭୫ ପ୍ରତିଶତ ଜନସଂଖ୍ୟାଙ୍କ ବୟସ ୪୫ ବର୍ଷରୁ କମ । ଏହି ବୟସବର୍ଗରେ ଇ-ଗେମ ଲୋକପ୍ରିୟ । ୫ଜି ବୈଷୟିକ କୌଶଳ ଉପଯୋଗ ଫଳରେ ଇ-ଗେମର ଆଙ୍ଗିକ ଅଧିକ ଆକର୍ଷଣୀୟ ହେବ । ଫଳରେ ଉପଭୋକ୍ତାମାନେ ଅଧିକ ସମୟ ସଂପୃକ୍ତ ରହିବେ ଏବଂ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିବ । ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ୨୦୨୫ ସୁଦ୍ଧା ଇ-ଗେମ ଉପଭୋକ୍ତାଙ୍କ ସଂଖ୍ୟା ୬୫ କୋଟିରେ ପହଞ୍ଚିବ । ଏହି ପରିବେଶ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ବ୍ୟବସାୟକୁ ଗଭୀରଭାବେ ପ୍ରଭାବିତ କରିବା ସମ୍ଭବ ।


 

ଆନ୍ତର୍ଜାତିକ ଗଣମାଧ୍ୟମ ପୂର୍ବାନୁମାନ ୨୦୨୨ରେ ବାଣିଜ୍ୟ ଗବେଷଣା ପରାମର୍ଶଦାତା ‘କାନ୍ତାର’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଗଣମାଧ୍ୟମ ସଦାସର୍ବଦା ପରିବର୍ତ୍ତନଶୀଳ ରହିଆସିଥିବା ଏବଂ ମହାମାରୀରେ ପରିବର୍ତ୍ତନର ଧାରା ପ୍ରଖର ହୋଇଥିବା ଦର୍ଶାଯାଇଛି । କୁହାଯାଉଛି ଯେ ୨୦୨୦ ଓ ୨୦୨୧ ମହାମାରୀକାଳରେ ଦର୍ଶକଙ୍କ ଗଣମାଧ୍ୟମ ଆହରଣ କ୍ଷେତ୍ରରେ ଯେଉଁ ପରିବର୍ତ୍ତନମାନ ଦେଖିବାକୁ ମିଳିଥିଲା ତାହା ୨୦୨୨ ପରିବେଶକୁ ପ୍ରଭାବିତ କରିବ । ଅର୍ଥାତ, ମହାମାରୀ-ପୂର୍ବ ୨୦୧୯ ସ୍ଥିତିକୁ ଫେରିବା ନିମନ୍ତେ ଯେଉଁ ବର୍ଗ ଆଶାୟୀ ରହିଛନ୍ତି ତାହା ହୁଏତ ସଂଭବପର ହୋଇନପାରେ ।

 

  

କ୍ୟାଲେଣ୍ଡର ତାରିଖ ଆଧାରରେ ସାମାଜିକ ପରିବର୍ତ୍ତନ ସଂଘଟିତ ହୁଏ ନାହିଁ, ବରଂ ସାମାଜିକ ପରିବର୍ତ୍ତନର ଧାରାକୁ ନିର୍ଦ୍ଦିଷ୍ଟ ସମୟ ପରିସୀମାରେ ଚ଼ିହ୍ନିତ କରାଯାଏ । ଅତଏବ ୨୦୨୨ରେ ଗଣମାଧ୍ୟମର ସ୍ଥିତାବସ୍ଥା ଅତୀତ ଓ ଭବିଷ୍ୟତ ଉଭୟର ସମିଶ୍ରଣ ବିଚାର କରାଯାଇପାରେ । ଭାରତୀୟ ଗଣମାଧ୍ୟମରେ ଡ଼ିଜିଟାଲ ମଞ୍ଚରେ ଆଞ୍ଚଳିକ ଭାଷା, ଭିଡ଼ିଓ ଓ ଅଡ଼ିଓର ଆଧିପତ୍ୟ ମହାମାରୀ ପୂର୍ବାବସ୍ଥାରେ ମୂଳଦୁଆ ପଡ଼ିଥିଲା । ପାଠକ, ଦର୍ଶକ ଓ ଶ୍ରୋତାଙ୍କ ଆଚ଼ରଣରେ ଯେଉଁ ପରିବର୍ତ୍ତନ ନିମନ୍ତେ ଦଶ ବର୍ଷ ଲାଗିଯାଇଥାନ୍ତା ତାହା ମାହାମାରୀ ଅବସରରେ ମାତ୍ର ଦୁଇ ବର୍ଷ ମଧ୍ୟରେ ସଂଭବ ହୋଇପାରିଛି । ଅତଏବ ମହାମାରୀ-ପର ଅବସ୍ଥାରେ ‘ପୂର୍ବାବସ୍ଥା’ ବଦଳରେ ‘ପରିବର୍ତ୍ତିତ ପରିବେଶ’ ବା ‘ନିଉ ନରମାଲ’ ଆକଳନ ତଥ୍ୟାଶ୍ରିତ ।


 

ଡ଼ିସେମ୍ୱର ୨୦୨୧ରେ ଏକ ଓଡ଼ିଆ ଟେଲିଭିଜନ ଚ଼୍ୟାନେଲ ପକ୍ଷରୁ ଏକ ଟେଲିଭାଇଜଡ଼ ସମ୍ପାନ ଆୟୋଜନ କରାଯାଇଥିଲା । ଚ଼୍ୟାନେଲର ସମ୍ପାଦକ ସଂଚାଳନ କରୁଥାନ୍ତି । ରାଜ୍ୟ ରାଜନୀତିରେ ଟେଲିଭିଜନ ଦର୍ଶକଙ୍କ ସଂପୃକ୍ତି ସଂପର୍କରେ ଟୀପ୍ପଣି ଦେଇ ସେ ବିରୋଧୀ ଦଳର ଜଣେ ପ୍ରମୁଖ ନେତାଙ୍କୁ କହିଥିଲେ ଯେ ଶୀତକାଳୀନ ବିଧାନସଭା ଅଧିବେଶନ କାଳରେ ବିଧାନସଭା ବିବରଣୀ ବଦଳରେ ଟେଲିଭିଜନ ଦର୍ଶକମାନେ ବ୍ରହ୍ମପୁରର ଏକ ଦମ୍ପତ୍ତିଙ୍କ ପାରିବାରିକ କଳହ ସଂପର୍କରେ ଜାଣିବା ଲାଗି ଅଧିକ ଆଗ୍ରହ ପ୍ରକାଶ କରିଥିଲେ । ଅବଶ୍ୟ ସେ ଟେଲିଭିଜନ ଓ ସୋସିଆଲ ମିଡ଼ିଆ ଦର୍ଶକଙ୍କ ସଂଖ୍ୟା ତୁଳନା କରିନଥିଲେ । ତେବେ ଗଣମାଧ୍ୟମ ଉପଭୋକ୍ତାଙ୍କ ଆଚ଼ରଣ କିପରି ପରିବର୍ତ୍ତନ ହେବାରେ ଲାଗିଛି ଏବଂ ଭବିଷ୍ୟତରେ କେତେଦୂର ପ୍ରଭାବଶାଳୀ ସେକଥା ସୁସ୍ପଷ୍ଟ ।


 

ପାରମ୍ପରିକ ଗଣମାଧ୍ୟମ ଯଥା : ସମ୍ୱାଦପତ୍ର, ପତ୍ରପତ୍ରିକା, ପୁସ୍ତକ, ଚଳଚ଼ିତ୍ର ଓ ଟେଲିଭିଜନ କାର୍ଯ୍ୟକ୍ରମ ଏଣିକି ସମଗ୍ର ଦର୍ଶକବର୍ଗ ପରିବର୍ତ୍ତେ ଏକାଂଶଙ୍କ ନିମନ୍ତେ ପ୍ରଯୋଜିତ ହେବ । ଏଥିଲାଗି ସୀମିତ ସଂଖ୍ୟକ ପାଠକ, ଦର୍ଶକ ଓ ଶ୍ରୋତା ଆଗ୍ରହ ପ୍ରକାଶ କରିବେ । ବହୁ ସଂଖ୍ୟକ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ସମ୍ୱାଦ ଆହରଣ କରିବେ । ଏହି ପରିବର୍ତ୍ତନର ମୁଖ୍ୟ କାରଣ ସୋସିଆଲ ମିଡ଼ିଆରେ ସନ୍ନିବଶିତ ଉନ୍ନତ ବୈଷୟିକ କାରିଗରୀ କୌଶଳ ।


 

ସୋସିଆଲ ମିଡ଼ିଆରେ ବ୍ରହ୍ମପୁର ଦମ୍ପତ୍ତିଙ୍କ କଳହ ଯେଉଁ ଦର୍ଶକମାନେ ଥରେ ଦେଖିଥିଲେ ଫେସବୁକ ଓ ୟୁଟ୍ୟୁବର ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସେମାନଙ୍କ ପାଇଁ ସେହି ଘଟଣା ଆଧାରିତ ଆଉ ଗଣ୍ଡେ ଭିଡ଼ିଓ ପ୍ରସ୍ତୁତ ରଖୁଥିଲା । ନୂଆ ଭିଡ଼ିଓ ଆପଲୋଡ଼ ହେବା ସଙ୍ଗେ ସଙ୍ଗେ ନୋଟିଫିକେସନ ଦେଉଥିଲା । ଦର୍ଶକମାନଙ୍କୁ ଟେଲିଭିଜନର ପ୍ରାଇମଟାଇମ ବା ସମ୍ୱାଦପତ୍ରର ପ୍ରଭାତୀ ସଂସ୍କରଣ ଯାଏଁ ଅପେକ୍ଷା କରିବାକୁ ପଡୁନଥିଲା ।


 

ଏହି ଘଟଣା ସଂପର୍କରେ ପୁର୍ଣ୍ଣ ଅବଗତ ନଥିବା କୌଣସି ସମ୍ପାଦକଙ୍କ ଦ୍ୱାରା କାର୍ଯ୍ୟକ୍ରମ କାଟଛାଟର ସୁଯୋଗ ନଥିଲା । ଭିଡ଼ିଓଗୁଡ଼ିକ ଦର୍ଶକଙ୍କ ପରିଚ଼ିତବର୍ଗ ସେୟାର କରୁଥିଲେ । ଦର୍ଶକ ବି ନିଜେ ସେୟାର କରି ପ୍ରସାରଣରେ ସଂପୃକ୍ତ ‘ଏଙ୍ଗେଜ’ ହେଉଥିଲା । ଅଭିମତ ‘କମେଣ୍ଟ’ ପୋଷ୍ଟ କରୁଥିଲା । ବାରମ୍ୱାର ଗୋଟିଏ ବିଷୟ ଦେଖିବା ଫଳରେ ‘ଇକୋ-ଚେମ୍ୱର’ ନୀତିରେ ବିମୋହିତ ହୋଇପଡୁଥିଲା । ଅବଶ୍ୟ ଯେଉଁମାନେ ଏହି ସମ୍ୱାଦର ଧାର ମାଡ଼ିନଥିଲେ ସେମାନଙ୍କ ପାଇଁ ଘଟଣାଟି ସମ୍ୱାଦ ପଦବାଚ୍ୟ ହିଁ ନଥିଲା । ଏହି ଧାରା ହୁଏତ ୨୦୨୨ରେ ସର୍ବତ୍ର ବାରମ୍ୱାର ପ୍ରତିଧ୍ୱନିତ ହେବ !      



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୧ ଡ଼ିସେମ୍ୱର ୨୦୨୧


ତଥ୍ୟ :


 

Pnadnis, Aneesh. 13 cities to ring in 5G services in 2022. Business Standard (Bhubaneswar Edition). December 28, 2021


 

5G roll-out to drive mobile gaming in India. brandequity.com/ December 27, 2021


 

https://brandequity.economictimes.indiatimes.com/news/digital/5g-roll-out-to-drive-mobile-gaming-in-india-in-2022/88515705


 

Kantar releases media trends and predictions for 2022. arabnews.com/December 2021


 

https://www.arabnews.com/node/1991451/media

ଗଣମାଧ୍ୟମ ପୂର୍ବାନୁମାନ ୨୦୨

ବିଶ୍ୱବ୍ୟାପୀ ଗଣମାଧ୍ୟମ କୋଭିଡ଼-୧୯ ମହାମାରୀ ଅବସରରେ ସମ୍ମୁଖୀନ ହୋଇଥିବା ସଂକଟରୁ ମୁକ୍ତିଲାଗି ୨୦୨୨ରେ ନିରବିଚ୍ଛନ୍ନ ଉଦ୍ୟମ କରିଥିବା ସ୍ଥଳେ ୨୦୨୩ରେ ସୃଷ୍ଟ ପରିବର୍ତ୍ତିତ ପରିବେଶରେ ସହବସ୍ଥାନ ଲାଗି ଯୋଜନାମାନ ପ୍ରଣୟନ ଓ ଉପଯୋଗ ପୂର୍ବାନୁମାନ କରାଯାଏ । ମହାମାରୀକାଳରେ ଦୀର୍ଘ ଅବଧିଲାଗି ଜନପଦ ବନ୍ଦ ହେତୁ ଅନ୍ୟାନ୍ୟ ଶିଳ୍ପ ଓ ବ୍ୟବସାୟ ତୁଲ୍ୟ ଗଣମାଧ୍ୟମ ଓ ମନୋରଞ୍ଜନ ମଧ୍ୟ ପ୍ରଭାବିତ ହୋଇଥିଲା । ଏଥିସହ ଅନ୍ୟ ତିନିଗୋଟି କାରଣ ପରିସ୍ଥିତିକୁ ଜଟିଳ ଅବସ୍ଥାରେ ପହୁଞ୍ଚାଇଥିଲା ।

 

ପ୍ରଥମତଃ, ମହାମାରୀ ପୂର୍ବରୁ ବୈଷୟିକ କାରିଗରୀ କୌଶଳରେ ବ୍ୟାପକ ଉନ୍ନତି ଏବଂ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ଉଭୟ ଉତ୍ପାଦନ ଓ ବିତରଣ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ସହ ପାରମ୍ପରିକ ବ୍ୟାବସାୟିକ ମଡ଼େଲ ତତକ୍ଷଣାତ ଖାପ ଖୁଆଇ ପାରିନଥିଲା । ବିକଶିତ ରାଷ୍ଟ୍ରଗୁଡ଼ିକରେ ଏହି ସମସ୍ୟା ତିନି ଦଶନ୍ଧି ଧରି ଲାଗି ରହିଥିବା ସ୍ଥଳେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଏକରୁ ଦୁଇ ଦଶନ୍ଧି ପ୍ରଭାବ ବିସ୍ତାର କରିଥିଲା । ଡ଼ିଜିଟାଲ ମଞ୍ଚକୁ ଅପସାରଣ ପ୍ରକ୍ରିୟା ମୁଖ୍ୟତଃ ରାଜସ୍ୱ ସଂଗ୍ରହ କାରଣରୁ ଅନ୍ତରାୟ ସାଜିଥିଲା । ଫଳରେ ଡ଼ିଜିଟାଲ-ଫାଷ୍ଟ ନୀତି ଅବଲମ୍ୱନ ଯେତିକି ଗୁରୁତ୍ୱ ଦାବୀ କରୁଥିଲା, ତାହା ଅନେକ କ୍ଷେତ୍ରରେ ସମ୍ଭବ ହୋଇପାରିନଥିଲା ।

 

ମହାମାରୀରେ ପାରିପାର୍ଶ୍ୱିକ କାରଣରୁ ଉପଭୋକ୍ତା ଡ଼ିଜିଟାଲ ମୁହାଁ ହେବାକୁ ବାଧ୍ୟ ହୋଇଥିଲେ । ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ଓ ଯାନ୍ତ୍ରିକ ଅଧ୍ୟୟନ ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଏଣ୍ଡ ମେସିନ ଲେର୍ଣ୍ଣିଂ’ ବଳରେ ପ୍ରତ୍ୟେକ ଉପଭୋକ୍ତାଙ୍କ ବ୍ୟକ୍ତିଗତ ରୁଚ଼ି ଓ ଆଚ଼ରଣ ଅନୁଶୀଳନ କରି ଡ଼ିଜିଟାଲ ମଞ୍ଚ ପରିଚାଳନା ଉପଭୋକ୍ତା ଅର୍ଥନୀତିରେ ଏକ ନୂତନ ଯୁଗର ଅୟମାରମ୍ଭ କଲା । ଅର୍ଦ୍ଧ-ଶିକ୍ଷିତ ସାଧାରଣ ବ୍ୟକ୍ତିଟିଏ ସାମାଜିକ ଗଣମାଧ୍ୟମର ଚବିଶି ଘଣ୍ଟିଆ ସେବାରେ ଉତ୍ ଫୁଲ୍ଲିତ ହୋଇ ପ୍ରତିଷ୍ଠିତ ସମ୍ୱାଦପତ୍ର ବା ଟେଲିଭିଜନ ଚ୍ୟାନେଲକୁ ଭ୍ରୁକ୍ଷେପ କଲାନାହିଁ । ବୃତ୍ତିଧାରୀ ବ୍ୟାଖ୍ୟାକାରଙ୍କ ଅଭିମତକୁ ଏଡ଼ାଇ ନିଜ ବା ନିଜ ବନ୍ଧୁଙ୍କ ମତାମତକୁ ଗୁରୁତ୍ୱ ଦେଲା । ଗଣମାଧ୍ୟମ ଓ ମନୋରଞ୍ଜନ ଉପତ୍ୟକାରେ ସାମନ୍ତବାଦୀ ଯୁଗ ଶେଷ ହେଲା ।

 

ଦ୍ୱିତୀୟତଃ, ଗଣମାଧ୍ୟମର ପ୍ରତ୍ୟେକ ବର୍ଗ ମୁଦ୍ରଣ, ଟେଲିଭିଜନ ଓ ଡ଼ିଜିଟାଲ ବିଜ୍ଞାପନ ଆଶ୍ରିତ ବ୍ୟାବସାୟିକ ମଡ଼େଲରେ ବିକଶିତ ହୋଇଥିଲେ । ଆକସ୍ମିକଭାବେ ଆରମ୍ଭ ହୋଇଥିବା ଦ୍ରବ୍ୟ ଦରକୁ ବେଖାତିରି କରି ବିଜ୍ଞାପନ ଆୟରେ ବ୍ୟବସାୟକୁ ସମୃଦ୍ଧ କରିବା ମଡ଼େଲ ଦୀର୍ଘ ୨୦୦ ବର୍ଷ ଧରି ଆନ୍ତର୍ଜାତିକସ୍ତରରେ ପ୍ରଭୁତ୍ୱ ବଜାୟ ରଖିଥିଲା । ବିକଶିତ ରାଷ୍ଟ୍ରଗୁଡ଼ିକରେ ଡିଜିଟାଲ ମଞ୍ଚର ଲୋକପ୍ରିୟତା ବୃଦ୍ଧି ପରେ ମୁଦ୍ରଣ ଓ ଟେଲିଭିଜନରୁ ବିଜ୍ଞାପନ ବ୍ୟୟ ଅପସାରିତ ହେବା ପରେ ଡ଼ିଜିଟାଲ ମଞ୍ଚରେ ଗଣମାଧ୍ୟମ ପରିବର୍ତ୍ତେ ସୋସିଆଲ ମିଡ଼ିଆ ‘ଫେସବୁକ’, ସର୍ଚ୍ଚ ଇଞ୍ଜିନ ‘ଗୁଗୁଲ’ ଓ ଇ-କମର୍ସ ‘ଆମେଜନ’ ଭାଗକୁ ଅଶୀରୁ ପଞ୍ଚାଅଶୀ ଭାଗଯାଏଁ ଚାଲିଗଲା । ଫଳରେ ଡ଼ିଜିଟାଲ ଗଣମାଧ୍ୟମ ମଞ୍ଚଗୁଡ଼ିକ ମଧ୍ୟ ମୁଦ୍ରଣ ଓ ଟେଲିଭିଜନଭଳି ଆର୍ଥିକ ଦୂରବସ୍ଥାର ଶିକାର ହେଲେ ।

 

ତୃତୀୟତଃ, ଗଣମାଧ୍ୟମ ମଞ୍ଚଗୁଡ଼ିକ ଦୀର୍ଘ ସମୟଧରି ରାଜନୀତିକ, ସାଂସ୍କୃତିକ ଓ ସାମାଜିକ ପରିଧିରେ ନିରଙ୍କୁଶ ପ୍ରତିପତ୍ତି ଉପଭୋଗ କରିବା ଫଳରେ ନିଜ ମୌଳିକ ଧର୍ମକୁ ଅଣଦେଖା କରିଚାଲିଥିଲେ । ସୃଜନକୁ ଅବହେଳା କରି ବ୍ୟବସାୟ ପରିଚାଳନାକୁ ଗୁରୁତ୍ୱର ଦୀର୍ଘକାଳୀନ ପ୍ରଭାବ ନକାରାତ୍ମକ ପ୍ରମାଣିତ ହେଲା । ଗଣମାଧ୍ୟମ ପରିଧିକୁ ସର୍ଜନଶୀଳଙ୍କ ପରିବର୍ତ୍ତେ କ୍ଷମତା ପିପାସୁ, ଧନଲୋଭୀ ଓ ଚାଟୁକାରଙ୍କ ପ୍ରବେଶ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପର ଉତ୍ପାଦଗୁଡ଼ିକର ଗୁଣବତ୍ତା ହ୍ରାସର କାରଣ ପାଲଟିଥିଲା । ମହାମାରୀକାଳରେ ଉପଭୋକ୍ତାଙ୍କ ଆଚ଼ରଣରେ ପରିବର୍ତ୍ତନ ଗଣମାଧ୍ୟମ ପରିଚାଳନାରେ ସମସ୍ତ ପାରମ୍ପରିକ ଉପପାଦ୍ୟକୁ ଧୂଳିସାତ କରିଦେଲା । ଅନେକେ ଆଶା କରିଥିଲେ ମହାମାରୀର ପ୍ରଭାବ ସ୍ୱଳ୍ପକାଳୀନ । ମହାମାରୀ-ପର ଅବସ୍ଥାରେ ମହାମାରୀ-ପୂର୍ବ ଅବସ୍ଥା ଫେରି ଆସିବ । କିନ୍ତୁ ୨୦୨୨ର ବାର୍ଷିକ ହିସାବ ସେଭଳି ବିଶ୍ୱାସକୁ ଭୂଲ ପ୍ରମାଣିତ କଲା ।

 

ମନୋବିଜ୍ଞାନୀ ଏଲିସାବେଥ କୁବଲେର-ରସ ଶୋକାନୁଭୂତିର ପାଞ୍ଚଗୋଟି ସୋପାନ ଚ଼ିହ୍ନଟ କରିଥିଲେ । ଶୋକବିଜ୍ଞାନ ଅଧ୍ୟୟନରେ ଏହାକୁ ପ୍ରାଥମିକ ତତ୍ତ୍ୱର ମାନ୍ୟତା ଦିଆଯାଏ । ତାଙ୍କରି ବିଚାରରେ ଶୋକାନୁଭୂତି ପ୍ରତ୍ୟାଖ୍ୟାନ, କ୍ରୋଧ, ପ୍ରତ୍ୟାଶା, ଅବସାଦ ଓ ସ୍ୱୀକୃତି ଏହିଭଳି ପାଞ୍ଚଗୋଟି ସୋପାନ ମଧ୍ୟ ଦେଇ ଗତି କରିଥାଏ । ପ୍ରଥମତଃ, ଶୋକାକୁଳ ପରିବେଶରେ ଶୋକ ସମ୍ୱାଦ ଅନେକ କ୍ଷେତ୍ରରେ ଶୋକାକ୍ରାନ୍ତଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୁଏ । ଦ୍ୱିତୀୟତଃ, ପ୍ରତ୍ୟାଖ୍ୟାତ ଘଟଣାର ବାସ୍ତବତା ଉପଲବ୍ଧି ପରେ କ୍ରୋଧ ଜନ୍ମିଥାଏ । ତୃତୀୟତଃ, ଶୋକଗ୍ରସ୍ତ ଅବସରରେ ଆକ୍ରାନ୍ତ ବ୍ୟକ୍ତିବିଶେଷ କାରଣ ନିରାକରଣ ସଂପର୍କରେ ପ୍ରଶ୍ନ କରିଥାନ୍ତି । ଚତୁର୍ଥତଃ, ଶୋକାର୍ତ୍ତ ଅବସାଦର ଶୀକାର ଏବଂ ପଞ୍ଚମତଃ, ଶୋକକର ପରିସ୍ଥିତିର ଅନୁମୋଦନ ବା ସ୍ୱୀକୃତି ଶୋକଚ଼କ୍ରର ଶେଷାବସ୍ଥା ।

 

ସାଧାରଣ ବିଚାରରେ ୨୦୨୦-୨୧ରେ ସୃଷ୍ଟ ପରିବେଶରେ ଗଣମାଧ୍ୟମ ପ୍ରଥମ ଓ ଦ୍ୱିତୀୟ ସେପାନ ଦେଇ ଗତି କରିଥିବା ବେଳେ ୨୦୨୨ରେ ତୃତୀୟ ଓ ଚ଼ତୁର୍ଥ ସୋପାନର ପାର ହୋଇଥିଲା । ସୃଷ୍ଟ ପରିସ୍ଥିତିର ପଞ୍ଚମ ବା ଶେଷବସ୍ଥା ୨୦୨୩ରେ ଅନୁଭବ ଆଶା କରାଯାଇପାରେ । ଅର୍ଥାତ, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସାମଗ୍ରୀକଭାବେ ୨୦୨୩ରେ ନୂତନ ଆଙ୍ଗିକ ମଧ୍ୟକୁ ଲମ୍ପ ପ୍ରଦାନ କରିବ । ଏହି ପ୍ରକ୍ରିୟାରେ କେତେକ ମଞ୍ଚର ବିଲୟ ଘଟିବ, କେତେକ ପ୍ରତିବେଶୀ ମଞ୍ଚଗୁଡ଼ିକ ସହ ସମ୍ମିଶ୍ରିତ ହେବେ ଏବଂ ଅନ୍ୟ କେତେକ ନିଜ ସ୍ଥିତିକୁ ଜାହିର କରିବା ନିମନ୍ତେ ପାଞ୍ଚ, ଦଶ, କୋଡ଼ିଏ ବର୍ଷର ଯୋଜନା ପ୍ରଣୟନରେ ସାମର୍ଥ୍ୟ ବିନିଯୋଗ କରିବେ । ଆପାତତଃ, ୨୦୨୩ ଏକ ପରିବର୍ତ୍ତନର ବର୍ଷ ।

 

ସମକାଳୀନ ଗଣମାଧ୍ୟମ ବିଘଟନରେ ମୁଦ୍ରଣ ଶିଳ୍ପ ସର୍ବାପେକ୍ଷା ପ୍ରଭାବିତ । ଏକ ପକ୍ଷରେ ସମ୍ୱାଦପତ୍ର ଓ ପତ୍ରପତ୍ରିକାରେ ବିଜ୍ଞାପନ ଆୟ କମି ଆସୁଥିବା ବେଳେ ଗ୍ରାହକ ସଂଖ୍ୟା ସଂକୋଚନ ସଂକଟାପନ୍ନ ଅବସ୍ଥା ସୃଷ୍ଟି କରିଛି । ‘ପ୍ରାଇସ ୱାଟରହାଉସ କୂପର’ଙ୍କ ତଥ୍ୟ ଉଦ୍ଧାରକରି ଜଣେ ଗବେଷକ ପ୍ରକାଶ କରିଛନ୍ତି ଯେ ବ୍ରିଟେନରେ ୨୦୧୭ରୁ ୨୦୨୨ ମଧ୍ୟରେ ମୁଦ୍ରିତ ସମ୍ୱାଦପତ୍ରର ପ୍ରସାର ସଂଖ୍ୟା ୪୫ ପ୍ରତିଶତ ହ୍ରାସ ଘଟିଛି ଏବଂ ୨୦୨୩ରୁ ୨୦୨୭ ଆଗାମୀ ପାଞ୍ଚ ବର୍ଷରେ ୬୫ ପ୍ରତିଶତକୁ ବୃଦ୍ଧି ପାଇବ । ବହୁ ଭୌଗଳିକ ପରିବେଶରେ ମୁଦ୍ରିତ ସମ୍ୱାଦପତ୍ର ପ୍ରସାର ସଂଖ୍ୟାଜନିତ ନିର୍ଭରଯୋଗ୍ୟ ତଥ୍ୟ ଉପଲବ୍ଧ ନହେଉଥିବା ହେତୁ ବ୍ରିଟେନର ଅବସ୍ଥା ଅନ୍ୟତ୍ର ଊଣାଅଧିକେ ପ୍ରତିଫଳିତ ବୋଲି ଧରିନିଆଯାଇପାରେ ।

 

ଓଡ଼ିଶାର ଏକ ବଡ଼ ସହରରେ ହକରଙ୍କ ସୂତ୍ରରୁ ସଂଗୃହୀତ ତଥ୍ୟ ଅନୁଯାୟୀ ମୋଟାମୋଟି ବିଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରସାରରେ ଏକ ନମ୍ୱର ଓଡ଼ିଆ ଦୈନିକର କାଟତି ୧୦,୦୦୦ ରୁ ୬,୫୦୦, ଦୁଇ ନମ୍ୱର ୯,୦୦୦ ରୁ ୬,୦୦୦ ଏବଂ ତିନି ନମ୍ୱର ୮,୦୦୦ ରୁ ୪,୫୦୦କୁ ହ୍ରାସ ପାଇଥିବା ଜଣାଯାଏ । ଅର୍ଥାତ, ହାରାହାରି ଭାବେ ୪୫ ପ୍ରତିଶତ ପ୍ରସାର ସଂଖ୍ୟା କମିଛି । ପୁନଶ୍ଚ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଯଦି ୬୫ ପ୍ରତିଶତକୁ ବୃଦ୍ଧି ଆଶଙ୍କା ବିଶ୍ୱାସଯୋଗ୍ୟ ହୁଏ, ତେବେ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ଅନିର୍ବାଯ୍ୟ ।

 

ମୁଦ୍ରଣ ଗଣମାଧ୍ୟମ ପରିବର୍ତ୍ତନରେ ୨୦୨୩ରେ ସମ୍ୱାଦପତ୍ର, ପତ୍ରପତ୍ରିକା ଓ ପୁସ୍ତକର ସମ୍ପାଦକୀୟ ନୀତି ନିର୍ଦ୍ଧାରଣ ପ୍ରାଥମିକତା ଦାବୀ କରିବ । ପ୍ରକାଶନର ଉପାଦାନଗୁଡ଼ିକ କୌତୁହଳ ଉଦ୍ଦୀପକ, ଋଚିକର, ଗୁରୁତ୍ୱପୂର୍ଣ୍ଣ ଓ ବ୍ୟବହାର୍ଯ୍ୟ ହେଲେ ଯାଇ ପାଠକବର୍ଗରେ ଗ୍ରହଣୀୟ ହେବ । ଏହିଭଳି ଉଦ୍ଦେଶ୍ୟ ଚ଼ରିତାର୍ଥ କରିବା ନିମନ୍ତେ କେବଳ ଯେ ନୂତନ ସମ୍ପାଦକୀୟ ମଡ଼େଲମାନ ବିକଶିତ ହେବ ତାହା ନୁହ, ପରିବେଷଣ ଶୈଳୀରେ ମଧ୍ୟ ନବୀକରଣ ୨୦୨୩ରେ ଗଣମାଧ୍ୟମ ପୁନଃବିନ୍ୟାସରେ ପ୍ରଥମ ସୋପାନ । ଏହି ପ୍ରକ୍ରିୟାରେ ସମ୍ପାଦନା ପରିଚାଳନା ‘କଣ୍ଟେଣ୍ଟ ମ୍ୟାନେଜମେଣ୍ଟ’ ଗୁରୁତ୍ୱପୂର୍ଣ୍ଣ । ସୃଜନ ପ୍ରସ୍ତୁତିରେ ବେଗ ‘ସ୍ପିଡ଼’, ନମନୀୟତା ‘ଫେକ୍ସବିଲିଟି’, ଆୟ-ଅଭିମୁଖ୍ୟ ‘ମନିଟାଇଜେସନ’ ଏବଂ ସଶକ୍ତିକରଣ ‘ଏମପାୱାରମେଣ୍ଟ’ ଦିଗଗୁଡ଼ିକର ସୁପରିଚାଳନା ନିମନ୍ତେ ଦୃଷ୍ଟି ପ୍ରଦାନ କରିବାକୁ ପଡ଼ିବ । ପାରମ୍ପରିକ ମନୋଭାବ ପରିତ୍ୟାଗର ସମୟ ଉପନୀତ । ସମ୍ପାଦକୀୟ ନୀତି ନିର୍ଦ୍ଧାରଣରେ ସମ୍ପାଦକମାନଙ୍କ ଦୃଷ୍ଟିକୋଣ ବଦଳରେ ଉପଭୋକ୍ତାଙ୍କ ଆବେଗ ପ୍ରାଧାନ୍ୟ ଲାଭ କରିବ । ବିଷୟଭିତ୍ତିକ ‘ନିଚ’ ଉପାଦାନ ନିମନ୍ତେ ନୂତନ ପାଠକ ଓ ଗ୍ରାହକଙ୍କ ଅଭାବ ରହିବ ନାହିଁ ।

 

ଦ୍ୱିତୀୟତଃ, ୨୦୨୩ରେ ସମ୍ପାଦନା, ପ୍ରଯୋଜନା ଓ ପ୍ରସାର ପ୍ରତ୍ୟେକ କ୍ଷେତ୍ରରେ ସମ୍ୱାଦପତ୍ର ବା ପତ୍ରପତ୍ରିକାର ଆୟବୃଦ୍ଧି ପ୍ରତି ଧ୍ୟାନ ଦିଆଯିବା ନିଶ୍ଚିତ । ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ୨୦୨୨ ତୁଳନାରେ ୨୦୨୩ରେ ବିଜ୍ଞାପନ ବ୍ୟୟ ପ୍ରାୟ ସମତୁଲ ରହିବ, କିନ୍ତୁ ଗଣମାଧ୍ୟମ ବଦଳରେ ଅନ୍ୟାନ୍ୟ ଡ଼ିଜିଟାଲ ମଞ୍ଚକୁ ସ୍ଥାନାନ୍ତରିତ ଧାରା ସମସ୍ୟା ସୃଷ୍ଟି କରିବ । ଫଳରେ ଗ୍ରାହକ ଚାନ୍ଦା ସାଙ୍ଗକୁ ପ୍ରକାଶନଗୁଡ଼ିକ ନିମନ୍ତେ ସଭ୍ୟ ‘ମେମ୍ୱରସିପ’, ଦାନ-ଅନୁଦାନ ‘ଡ଼ୋନେସନ’ ଓ ଉତ୍ସବାନୁଷ୍ଠାନ ଆୟୋଜନ ‘ଇଭେଣ୍ଟ’ ବିକଳ୍ପ ଆୟ ସୂତ୍ରଗୁଡ଼ିକ ଧ୍ୟାନ ଆକର୍ଷଣ କରିବ । ଏହି କାରଣରୁ ପ୍ରକାଶନ ସଂସ୍ଥାମାନଙ୍କ ପକ୍ଷରୁ ପାଠକ ସଂପୃକ୍ତି କାର୍ଯ୍ୟକ୍ରମଗୁଡ଼ିକୁ ଗୁରୁତ୍ୱ ଦିଆଯିବ ।

 

ତୃତୀୟତଃ, ମୁଦ୍ରିତ ଗଣମାଧ୍ୟମ କ୍ରମବିକଶିତ ଡ଼ିଜିଟାଲ ମଞ୍ଚର ଲୋକପ୍ରିୟତାର ମୁକାବିଲା କରିବା ନିମନ୍ତେ ଉନ୍ନତ ବୈଷୟିକ କୌଶଳ ଉପଯୋଗ ଲାଗି ଯତ୍ନବାନ ହେବ । ଉଦାହରଣରେ ଯାନ୍ତ୍ରିକ ଅଧ୍ୟୟନ ‘ମେସିନ ଲର୍ଣ୍ଣିଂ’ ସହାୟତାରେ କେଉଁ ସମୟରେ, କେଉଁ ଭଳି ଉପାଦାନ, କେଉଁ ଅଞ୍ଚଳରେ, କେତେ ସଂଖ୍ୟକ ବିକ୍ରୀ ହେବ ତାହାର ନିର୍ଭରଯୋଗ୍ୟ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରିବାରେ ସମର୍ଥ ହେବେ । ଫଳରେ ଅବିକ୍ରୀ ସମ୍ୱାଦପତ୍ର ବା ପତ୍ରପତ୍ରିକାର ସମସ୍ୟା ସୁଧୁରି ଯିବ । ସେହିପରି ଗ୍ରାହକ ସଂଗ୍ରହ, ସୃଜନର ଲୋକପ୍ରିୟତା, ଏପରିକି ରଚନା ପ୍ରସ୍ତୁତି ଓ ଅଳଂକରଣରେ ମଧ୍ୟ ବୈଷୟିକ କୌଶଳ ପ୍ରୟୋଗ ସୁଯୋଗ ନିଆଯାଇ ପାରିବ । ଅତୀତରେ ଏହି ଭଳି ଉନ୍ନତ ଧାରା ସାଧାରଣରେ ଅପହଞ୍ଚ ପ୍ରତୀୟମାନ ହେଉଥିବା ସ୍ଥଳେ କ୍ରମଶଃ ଅଳ୍ପବ୍ୟୟରେ ସର୍ବତ୍ର ଉପଲବ୍ଧ ହେଲାଣି । ତେବେ ଏହି ପ୍ରବାହ ଦୀର୍ଘକାଳୀନ ପ୍ରସ୍ତୁତି ହୋଇଥିବା ହେତୁ ୨୦୨୩ରୁ ଆରମ୍ଭ ହେବା ଆଶା କରାଯାଏ ।

 

ଗଣମାଧ୍ୟମ ସମୀକ୍ଷକଙ୍କ ମତରେ ମୁଦ୍ରିତ ଗଣମାଧ୍ୟମରେ ବିଘଟନକୁ ମୁକାବିଲା କରିବା ନିମନ୍ତେ ସମସ୍ତ ପ୍ରଚଳିତ ମଞ୍ଚ ଆଗ୍ରହ ପ୍ରକାଶ ନକରିପାରନ୍ତି । ଫଳରେ ୨୦୨୩ରେ ବହୁ ସଂଖ୍ୟକ ପ୍ରକାଶନ ବ୍ୟବସାୟ ମଧ୍ୟ ବନ୍ଦ ହୋଇଯାଇପାରେ । ମହାମାରୀ-ପର ଅବସ୍ଥାରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ଏବଂ ନିକଟ ଭବିଷ୍ୟତରେ ବଢ଼ିବା ଆଶଙ୍କା କରାଯାଉଥିବା ହେତୁ ନିବେଶ ଅଭାବ ଅନ୍ୟତମ ପ୍ରତିବନ୍ଧକ ।

 

ଆନ୍ତର୍ଜାତିକସ୍ତରରେ ସାମଗ୍ରିକଭାବେ ପ୍ରସ୍ତୁତ ପୂର୍ବାନୁମାନ ବିଭିନ୍ନ ଭୌଗଳିକ ପରିବେଶରେ ଭିନ୍ନ ଭିନ୍ନ ରୂପ ଧାରଣ କରିବା ସ୍ୱାଭାବିକ । ଉଦାହରଣରେ ଓଡ଼ିଆ ସମେତ ଭାରତର ବହୁ ଆଞ୍ଚଳିକ ଭାଷାରେ ମହାମାରୀ ଅବସରରେ ଅନୁସୃତ ସରକାରୀ ନୀତି ସମର୍ଥନ କାରଣରୁ ପ୍ରକାଶନଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣରେ ବିଜ୍ଞାପନ ଯୋଗାଇ ଦିଆଯାଇଥିଲା ଏବଂ ରାଜନୀତିକ ଅସ୍ଥିରତାରୁ ଦୂରେଇ ରହିବା ନିମନ୍ତେ ମହାମାରୀ-ପର ଅବସ୍ଥାରେ ମଧ୍ୟ ଜାରୀ ରହିଛି । ଏହି ସ୍ଥିତାବସ୍ଥାରେ ଅନ୍ତତଃପକ୍ଷେ ୨୦୨୪ ସାଧାରଣ ନିର୍ବାଚ଼ନ ଯାଏଁ ମୂଳସ୍ରୋତର ସମ୍ୱାଦପତ୍ରଗୁଡ଼ିକ ଉପକୃତ ହେବେ । ତେବେ ପ୍ରଚଳିତ ସମ୍ପାଦକୀୟ ନୀତି ପାଠକ ସମାଜରେ ସମ୍ୱାଦ ବିମୁଖ ପରିବେଶକୁ ତୀବ୍ର କରିଚାଲିଥିବା ଅବସରରେ ଦୀର୍ଘକାଳୀନ ବ୍ୟାବସାୟିକ ଓ ନୈତିକ ସ୍ଥିତି ବିଷାଦ ସୃଷ୍ଟି କରିବା ସୁସ୍ପଷ୍ଟ । ଅତଏବ ଗଣମାଧ୍ୟମର ଆଭିମୁଖ୍ୟ ନିର୍ଦ୍ଧାରଣରେ ୨୦୨୩ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଆଶା କରିବା ସମୀଚ଼ୀନ ।       



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩ ଡ଼ିସେମ୍ୱର ୨୦୨


ତଥ୍ୟ :


 

Kunova, Marcela. Predictions for Journalism in 2023 : Newsroom leadership, product and revenue. journalism.co.uk. December 14, 2022.

 

https://www.journalism.co.uk/news/predictions-for-journalism-in-2023-newsroom-leadership-product-and-revenue/s2/a991317/

 

Granger, Jacob. Predictions for journalism in 2023 : Audience expectations and user needs. Journalism.co.uk. December 12, 2022

 

https://www.journalism.co.uk/news/predictions-for-journalism-in-2023-audience-expectations-and-user-needs/s2/a990710/

 

Gautoam, Upasana. Technology that performs at the speed of news. niemanlab.org

 

https://www.niemanlab.org/2022/12/technology-that-performs-at-the-speed-of-news/ 

ଗଣମାଧ୍ୟମ ପୂର୍ବାନୁମାନ ୨୦୨୪ 

ଗଣମାଧ୍ୟମ ପୂର୍ବାନୁମାନ ଆନ୍ତର୍ଜାତିକ ଓ ଆଞ୍ଚଳିକ ଦୁଇ ଭିନ୍ନ ସ୍ତରରେ ଆକଳନ କରିବାକୁ ପଡ଼େ । କୋଭିଡ଼-୧୯ ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ ବିଶ୍ୱବ୍ୟାପୀ ଗଣମାଧ୍ୟମର ରୂପରେଖ ବଦଳାଇ ଚାଲିଛି । ଇତିହାସ ପୃଷ୍ଠାରୁ ଜଣାଯାଏ ଯେ କୌଣସି ବିଶ୍ୱବ୍ୟାପୀ ବିଘଟନର ପ୍ରଭାବରେ ପରିବର୍ତ୍ତନର ଧାରା ପାଞ୍ଚରୁ ସାତବର୍ଷ ଯାଏଁ ଦୋଳାୟମାନ ଅବସ୍ଥାରେ ଲଟକି ରହେ । ଦୁଇ ଶହ ବର୍ଷ ପୂର୍ବେ ମୁଦ୍ରଣ ମଞ୍ଚରେ ପ୍ରବର୍ତ୍ତିତ ବିଜ୍ଞାପନ-ଆଶ୍ରିତ ବ୍ୟାବସାୟିକ ମଡ଼େଲ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଭୁଷୁଡ଼ି ପଡ଼ିଥିବା ଅବସରରେ ବିକଳ୍ପ ମଡ଼େଲ ଦୃଢ଼ୀଭୂତ ହେବା ନିମନ୍ତେ ଅନ୍ତତଃପକ୍ଷେ ତୃତୀୟ ଦଶକ ଶେଷ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଗଣମାଧ୍ୟମ ବିଶେଷଜ୍ଞମାନେ ସମୟସୀମା ନିର୍ଦ୍ଧାରଣ କରିଥାନ୍ତି ।

 

ଡ଼ିଜିଟାଲ ମଞ୍ଚର ଅଭ୍ୟୁଦୟ ପରେ ସାମୂହିକ ରୂପାନ୍ତର ସମୟସାପେକ୍ଷ । ପୁନଶ୍ଚ ପରିବର୍ତ୍ତନର ପ୍ରକ୍ରିୟା ପ୍ରଦ୍ୟୋଗୀକି ସ୍ତରରେ ପ୍ରଗତିଶୀଳ ତଥା ବିକଶିତ ରାଷ୍ଟ୍ରଗୁଡ଼ିକରେ ଆରମ୍ଭ ହୋଇ କିଛି ସମୟ ବ୍ୟବଧାନରେ ବିକାଶଶୀଳ ରାଷ୍ଟ୍ରରେ ପ୍ରଭାବବିସ୍ତାର କରିଥାଏ । ଉଦାହରଣରେ ମହାମାରୀ ପୂର୍ବରୁ ଓଡ଼ିଶାର ଗଣମାଧ୍ୟମ ମଞ୍ଚଗୁଡ଼ିକ ଆନ୍ତର୍ଜାତିକ ପ୍ରବାହରୁ ବହୁ ଦୂରରେ ଥିବା ବିଶ୍ୱାସ କରାଯାଉଥିଲା । କିନ୍ତୁ ମହାମାରୀ-ପର ପରିବେଶରେ ପାଶ୍ଚାତ୍ୟ ଭୂଖଣ୍ଡରେ ଅନୁଭୂତ ବ୍ୟାବସାୟିକ ବିଜ୍ଞାପନ ବଦଳରେ ସ୍ଥାନୀୟ ସରକାରୀ ବିଜ୍ଞାପନର ଗୋଲକଧନ୍ଦାରେ ୨୦୨୩ ସୁଦ୍ଧା ବିପନ୍ନ ସ୍ଥିତିରେ ଉପନୀତ ହେଲା ନାହିଁ କି ? ଘଟଣାଚକ୍ର ବିଶ୍ଳେଷଣ ଭିନ୍ନ ଭିନ୍ନ କାରଣ ଚ଼ିହ୍ନଟ କରିପାରେ, କିନ୍ତୁ ସ୍ଥାନୀୟ ସମ୍ୱାଦପତ୍ର, ଟେଲିଭିଜନ ଓ ଅନଲାଇନ ମଞ୍ଚଗୁଡ଼ିକ ଯେ ବିଜ୍ଞାପନ ଆୟ ସଜାଡ଼ିବା ନିମନ୍ତେ ଅସହାୟ ଓ ସଂଘର୍ଷରତ ଏଥିରେ କେହି ଦ୍ୱିମତ ହେବେ ନାହିଁ ।

 

ଓଡ଼ିଶା ଏକ ଗଣମାଧ୍ୟମ ଅପହଞ୍ଚ ‘ମିଡ଼ିଆ ଡାର୍କ’ ଇଲାକା । ପାରମ୍ପରିକଭାବେ ଏଠାରେ ଖୁବ କମ ସଂଖ୍ୟକ ଜନସାଧାରଣ ମୁଦ୍ରିତ ସମ୍ୱାଦପତ୍ର ପଢୁଥିଲେ । ବିଂଶ ଶତାଦ୍ଦୀ ଅଷ୍ଟମ ଦଶକରେ ଟେଲିଭିଜନ ପ୍ରସାର ପରେ ଚାରି ଦଶକ ଧରି ଟେଲିଭିଜନ ସମ୍ୱାଦ ଉପଭୋକ୍ତା ସଂଖ୍ୟା ବଢ଼ିଛି । ତେବେ ୨୦୧୪ରୁ ୨୦୨୩ ଦଶ ବର୍ଷ ମଧ୍ୟରେ ବ୍ରଡ଼ବ୍ୟାଣ୍ଡ ସେବା ପ୍ରସାର ଓ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧିପରେ ଇତିହାସରେ ସର୍ବାପେକ୍ଷା ଅଧିକ ସଂଖ୍ୟକ ଜନସାଧାରଣ ଅନଲାଇନରେ ଉଭୟ ସମ୍ୱାଦ ମଞ୍ଚ ଓ ଅଣ-ସମ୍ୱାଦ ମଞ୍ଚ ସୂତ୍ରରୁ ସମ୍ୱାଦ ଆହରଣ କରୁଛନ୍ତି । ଫେସବୁକ ଓ ହ୍ୱାଟସଆପର ସକ୍ରିୟ ଉପଭୋକ୍ତା ସଂଖ୍ୟା ଅନ୍ୟ ସମସ୍ତ ମଞ୍ଚକୁ ଅତିକ୍ରମ କରିଛି । ରାଜ୍ୟ ଓ କେନ୍ଦ୍ର ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବା ନିର୍ଘଣ୍ଟ ଥିବା ହେତୁ ସମ୍ୱାଦ ସରବରାହର ପରିମାଣ ବୃଦ୍ଧି ପାଇବ ଏବଂ ବିଭିନ୍ନ କାରଣରୁ ଅନଲାଇନ ନିର୍ବାଚ଼ନ ପ୍ରଚାର ସମ୍ମୁଖ ସ୍ଥାନ ଅଧିକାର କରିବ । ଏହି ପରିବେଶ ୨୦୨୪ରୁ ୨୦୩୦ ମଧ୍ୟରେ ଓଡ଼ିଶାରେ ଅନଲାଇନ ସମ୍ୱାଦ ମଞ୍ଚର ରୂପାନ୍ତରଣ ଆକଳନକୁ ଯୁକ୍ତିଯୁକ୍ତ ବିଚାର କରାଯାଇପାରେ ।

 

ବିଶ୍ୱବ୍ୟାପୀ ଡ଼ିଜିଟାଲ ସମ୍ୱାଦ ମଞ୍ଚ ପ୍ରସାର ଅବସରରେ ମୂଳ ସମ୍ୱାଦ ୱେବସାଇଟ ବା ଆପ ସହ ସୋସିଆଲ ମିଡ଼ିଆରେ ସମ୍ୱାଦ ପ୍ରସାର ଗୁରୁତ୍ୱ ବହନ କରିବ । ଯୁକ୍ତରାଷ୍ଟ୍ର ଆମେରିକାରେ ସମ୍ୱାଦ ୱେବସାଇଟ ଓ ଆପର ଆଦର ବଢୁଥିବା ‘ପିଉ ରିସର୍ଚ୍ଚ’ ଅଧ୍ୟୟନରୁ ଜଣାପଡ଼ିଛି । ତଥ୍ୟ ଅନୁଯାୟୀ ୨୦୨୦ରେ ୨୦ ପ୍ରତିଶତରୁ ୨୦୨୨ରେ ୨୩ ପ୍ରତିଶତକୁ ବୃଦ୍ଧି ପାଇଥିଲା । ସ୍ମାର୍ଟଫୋନରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ସମ୍ୱାଦ ସଂପର୍କରେ ଅବଗତ ହେବା ପରେ ଉପଭୋକ୍ତା କୌଣସି ବିଷୟରେ ବିଶଦ ବିବରଣୀ ଜାଣିବାକୁ ଚାହିଁଲେ ଅନଲାଇନ ସମ୍ୱାଦ ୱେବସାଇଟ, ଟେଲିଭିଜନ ବା ମୁଦ୍ରିତ ସମ୍ୱାଦପତ୍ରଠାରେ ପହଞ୍ଚିବେ । ପ୍ରଚଳିତ ସମ୍ୱାଦ ଆହରଣ ଧାରା ବିଚାରକୁ ନେଲେ ଅନ୍ତତଃପକ୍ଷେ ୨୦୨୪ରୁ ୨୦୩୦ ଯାଏଁ ଏହି ସମୀକରଣ ବଳବତ୍ତରର ରହିବା ଆଶା କରିବା କଥା । ଅର୍ଥାତ, ଓଡ଼ିଆ ନ୍ୟୂଜ ପୋର୍ଟାଲଗୁଡ଼ିକର ଭିତ୍ତିଭୂମି ସୁଦୃଢ ହେବା ଯୁକ୍ତିଯୁକ୍ତ ।

 

ସମ୍ୱାଦ ଉପଭୋକ୍ତାଙ୍କ ସମ୍ୱାଦ ଆହରଣ ଶୈଳୀ ସମ୍ୱାଦ ମଞ୍ଚରେ ସମ୍ୱାଦ ପରିବେଷଣ ଧାରାକୁ ପ୍ରଭାବିତ କରିବା ସ୍ୱାଭାବିକ । ପରିବର୍ତ୍ତିତ ପରିବେଶରେ ଉପଭୋକ୍ତା ସ୍ଥାନ ଓ କାଳ ଅତିକ୍ରମ କରି ଅନବରତ ସ୍ମାର୍ଟଫୋନ ଯୋଗେ ଚଳନ୍ତି ଘଟଣା ପ୍ରବାହ ସଂପର୍କରେ ଅବଗତ ହେଉଛନ୍ତି । ଏହି ଧାରା ବିକଶିତ ଓ ବିକାଶଶୀଳ ଉଭୟ ଅର୍ଥନୀତିରେ ସମଭାବେ ପ୍ରତିଫଳିତ । ଫଳତଃ ସମ୍ୱାଦ ପରିବେଷଣରେ ସାମ୍ୱାଦିକ ଦୁଇଗୋଟି ପୃଥକ ଭୂମିକା ନିର୍ବାହ ନିମନ୍ତେ ବାଧ୍ୟ । ପ୍ରାଥମିକ ପର୍ଯ୍ୟାୟରେ ଘଟଣା ସଂପର୍କରେ ତୁରନ୍ତ ସଂକ୍ଷିପ୍ତ ସମ୍ୱାଦ ସ୍ମାର୍ଟଫୋନ ପରଦାରେ ‘ମୋବାଇଲ ଫାଷ୍ଟ’ ନୀତିରେ ପରିବେଷଣ ଆବଶ୍ୟକ । ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ଘଟଣାର ଆମୂଳଚୁଳ ବର୍ଣ୍ଣନା, ସମୀକ୍ଷା, ବହୁମୁଖୀ ଅଭିମତ ପ୍ରକାଶନ ଉଭୟ ପାରମ୍ପରିକ ଓ ଡ଼ିଜିଟାଲ ମଞ୍ଚ ନିମନ୍ତେ ପ୍ରଯୁଜ୍ୟ । ଏହି ତତ୍ତ୍ୱ କାର୍ଯ୍ୟକାରୀ କରିବା ଦିଗରେ ସମ୍ୱାଦ ମଞ୍ଚଗୁଡ଼ିକ କ୍ରମଶଃ ଯତ୍ନବାନ ହେବେ ।

 

ରାଜ୍ୟ ଓ କେନ୍ଦ୍ର ସରକାର ଗଠନ ନିମନ୍ତେ ୨୦୨୪ ନିର୍ବାଚନ ସାମଗ୍ରିକଭାବେ ସମ୍ୱାଦ ମଞ୍ଚଗୁଡ଼ିକୁ ଉଭୟ ବିଷୟ ବିନ୍ୟାସ ଓ ଆୟ ଦୃଷ୍ଟିରୁ ସୁହାଇବ । ନିକଟ ଅତୀତ ଅଭିଜ୍ଞତାରେ କର୍ଣ୍ଣାଟକରେ ଶାସକ ବିଜେପି, ରାଜସ୍ଥାନରେ କଂଗ୍ରେସ ଓ ତେଲଙ୍ଗାନାରେ ବିଆରଏସ ଦଳ  ନିଜ ପ୍ରଶାସନିକ ଦକ୍ଷତା ପ୍ରଚାର କରିବା ନିମନ୍ତେ ସମ୍ୱାଦ ମଞ୍ଚଗୁଡ଼ିକରେ ବିଜ୍ଞାପନ ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ କରିଥିଲେ । କିନ୍ତୁ ରାଜ୍ୟ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିପାରିଲେ ନାହିଁ । ଏହାର ଅର୍ଥ ପାରମ୍ପରିକ ଗଣମାଧ୍ୟମ ମଞ୍ଚରେ ବିଜ୍ଞାପନ ସରକାର ସପକ୍ଷରେ ଜନମତ ଜାଗ୍ରତ କରି ପାରିଲା ନାହିଁକି ? ଲକ୍ଷ୍ୟ କରାଯାଉଛି ନିର୍ବାଚନରେ ଉଭୟ ପାରମ୍ପରିକ ଓ ଡ଼ିଜିଟାଲ ମଞ୍ଚରେ ପ୍ରଚାର କାର୍ଯ୍ୟରେ ବ୍ୟବହୃତ ହେଉଛି । ଏହି ଘଟଣାକ୍ରମ ନିର୍ବାଚନ-ପର ଅବସ୍ଥାରେ ଦେଶରେ ଡିଜିଟାଲ ସମ୍ୱାଦ ମଞ୍ଚ ପ୍ରସାର ସପକ୍ଷରେ ଯିବା ଆଶା କରାଯାଏ ।

 

ପରିବର୍ତ୍ତିତ ପରିବେଶରେ ଜନସାଧାରଣ ସମ୍ୱାଦ ମଞ୍ଚ ବ୍ୟତୀତ ଅଣ-ସମ୍ୱାଦ ମଞ୍ଚଗୁଡ଼ିକରୁ ଚଳନ୍ତି ଘଟଣାବଳୀ ସଂପର୍କରେ ସୂଚନା ପାଇପାରୁଥିବା ହେତୁ ସମ୍ୱାଦ ମଞ୍ଚଗୁଡ଼ିକ ଅନୁସନ୍ଧାନମୂଳକ ସାମ୍ୱାଦିକତା, ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ଓ ସମାଧାନ ସାମ୍ୱାଦିକତା ଭଳି ସମ୍ୱାଦ ଶୈଳୀ ଅବଲମ୍ୱନ ଅପରିହାର୍ଯ୍ୟ । ସମ୍ୱାଦପତ୍ର, ଟେଲିଭିଜନ ଓ ଅନଲାଇନ ସମ୍ୱାଦ ପୋର୍ଟାଲ ସମସ୍ତଙ୍କ ପାଇଁ ଏହି ନୀତି ପ୍ରଯୁଜ୍ୟ। ଅଣ-ସମ୍ୱାଦ ମଞ୍ଚ ବର୍ଗରେ ସୋସିଆଲ ମିଡ଼ିଆରେ ନାଗରିକ ସାମ୍ୱାଦିକ ଓ ଡ଼ିଜିଟାଲ ବାଣିଜ୍ୟ, ସ୍ୱାସ୍ଥ୍ୟ, ପରିବହନ, ଶିକ୍ଷା, ମନୋରଞ୍ଜନ ମଞ୍ଚ ଗୁଡ଼ିକ ମାଧ୍ୟମରେ କର୍ପୋରେଟ ସୂତ୍ର ସମ୍ୱାଦ ପ୍ରସାରଣରେ ସଂପୃକ୍ତ ରହୁଛନ୍ତି । ଜନଜୀବନରେ ସମ୍ୱାଦ ମଞ୍ଚ ଓ ଅଣ-ସମ୍ୱାଦ ମଞ୍ଚ ଦ୍ୱାରା ପ୍ରସାରିତ ସମ୍ୱାଦର ପ୍ରଭେଦ ବାରି ହୁଏ ନାହିଁ । କିନ୍ତୁ ବ୍ୟବହାରଯୋଗ୍ୟ ସମ୍ୱାଦର ହିଁ ଆଦର ଜମେ ।

 

ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରର ପ୍ରାଦେଶିକସ୍ତରରେ ମହାମାରୀ-ପର ଅବସ୍ଥାରେ ପାରମ୍ପରିକ ଗଣମାଧ୍ୟମରେ ସୃଷ୍ଟ ପରିବେଶ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ଊଣା-ଅଧିକେ ପ୍ରତିଫଳିତ । ଉଦାହରଣରେ ବିଜ୍ଞାପନ ରାଜସ୍ୱ କ୍ଷୟ ଓ ପ୍ରକାଶନ ବ୍ୟୟ ବୃଦ୍ଧି ହେତୁ ବହୁ ସଂଖ୍ୟକ ମାର୍କିନ ସ୍ଥାନୀୟ ସମ୍ୱାଦ ମଞ୍ଚ ବନ୍ଦ ହୋଇଯାଇଛି । ଏକ ହିସାବ ଅନୁଯାୟୀ ମହାମାରୀ-ପର ଅବସ୍ଥାରେ ପ୍ରତି ସପ୍ତାହରେ ଦୁଇଗୋଟି ସମ୍ୱାଦ ପ୍ରକାଶନର ଅନ୍ତ ଘଟୁଛି । ସେଠାକାର ସାତ କୋଟି ନାଗରିକ, ଅର୍ଥାତ ଜନସଂଖ୍ୟାର ଏକ ପଞ୍ଚମାଂଶ ସ୍ଥାନୀୟ ସମ୍ୱାଦ ମଞ୍ଚ ବିନା କିମ୍ୱା ଗୋଟିଏ ସମ୍ୱାଦ ମଞ୍ଚର ସୁବିଧା ପାଉଛନ୍ତି ।

 

ଏହି ଶୂନ୍ୟତା ପୂରଣ କରିବା ନିମନ୍ତେ ମାର୍କିନ ରାଜନୀତିକ ଦଳଗୁଡ଼ିକର ପ୍ରୋତ୍ସାହନରେ ବହୁ ସଂଖ୍ୟକ ପ୍ରଚାରଧର୍ମୀ ପ୍ରକାଶନ ୨୦୨୩ରେ ଆତ୍ମପ୍ରକାଶ କରିଥିଲା । ସମ୍ୱାଦ ପ୍ରସାରଣ ବଦଳରେ ଦଳୀୟ ମତବାଦ ପ୍ରଚାର କାର୍ଯ୍ୟରେ ଏହି ଭଳି ପ୍ରକାଶନଗୁଡ଼ିକ ସଂପୃକ୍ତ ରହୁଥିବା ହେତୁ ଏହାକୁ ‘ପିଙ୍କ-ସ୍ଳାଇମ ଜର୍ଣ୍ଣାଲିଜମ’ ନାମିତ କରାଯାଇଥାଏ । ‘ପିଙ୍କ-ସ୍ଳାଇମ’ର ଅର୍ଥ ସଜ ମାଂସରେ ମିଶାଯାଉଥିବା ନିକୃଷ୍ଟ ଧରଣର ପ୍ରକ୍ରିୟାକୃତ ମାଂସ ଅଂଶବିଶେଷକୁ ବୁଝାଯାଏ । ଅର୍ଥାତ, ସମ୍ୱାଦପତ୍ର ଆଙ୍ଗିକରେ ପ୍ରଚାରପତ୍ରର ଭୂମିକା ନିର୍ବାହ । ଭାରତରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଗ୍ରାହକ ଦେୟ, ବିଜ୍ଞାପନ ରାଜସ୍ୱ ଅଭାବ ହେତୁ ପ୍ରଚାରଧର୍ମୀ ସମ୍ୱାଦପତ୍ର ପ୍ରକାଶନ ଧାରା ପ୍ରସାର ୨୦୨୩ରେ ଅନେକଙ୍କୁ ବିସ୍ମିତ କରିଥିଲା ଏବଂ ୨୦୨୪ ନିର୍ବାଚନ ଅବସରରେ ଶୀର୍ଷାଙ୍କ ସ୍ୱର୍ଶ କରିବା ଆଶଙ୍କା ଘନୀଭୂତ ।

 

ଅଧ୍ୟୟନରୁ  ଜଣାଯାଇଥିଲା ଯେ ଆମେରିକାରେ ଏଭଳି ପ୍ରଚାରଧର୍ମୀ ପ୍ରକାଶନଗୁଡ଼ିକରେ ଯତ୍ କିଞ୍ଚିତ ସ୍ଥାନୀୟ ସମ୍ୱାଦ ପ୍ରକାଶ ପାଉଛି ସେଥି ମଧ୍ୟରୁ ଅନେକାଂଶ ସାମ୍ୱାଦିକଙ୍କ ବଦଳରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ପ୍ରସ୍ତୁତ କରୁଛି । ଫଳରେ ଅସତ୍ୟ, ଅର୍ଦ୍ଧ ସତ୍ୟ ଓ ଗୁଜବ ପ୍ରସାର ଅଣାୟତ୍ତ ଅବସ୍ଥାକୁ ଚାଲିଯିବା ଆଶଙ୍କା କରାଯାଉଛି । ଏକ ରକ୍ଷଣଶୀଳ ରାଜନୀତିକ ଦଳର ସମର୍ଥକ ଜନୈକ ବ୍ୟବସାୟୀ ୧୨୦୦ ଗୋଟି ସ୍ଥାନୀୟ ଡିଜିଟାଲ ସମ୍ୱାଦ ମଞ୍ଚ ଚଳାଉଥିବା ତଥ୍ୟ ପ୍ରକାଶପାଇଥିଲା । ଆମେରିକାରେ ୨୦୨୪ରେ ପ୍ରଚାରଧର୍ମୀ ପ୍ରକାଶନଗୁଡ଼ିକର ସଂଖ୍ୟା ସମ୍ୱାଦ ମଞ୍ଚର ସଂଖ୍ୟାକୁ ଅତିକ୍ରମ କରିବା ଆକଳନ କରାଯାଉଛି ।

 

ଗଣମାଧ୍ୟମ ବିଶ୍ଳେଷକଙ୍କ ମତରେ ଭାରତର ଆଞ୍ଚଳିକସ୍ତରରେ ରାଜନୀତିକ ପକ୍ଷଭୁକ୍ତ ସାମ୍ୱାଦିକତା ସ୍ୱାଧୀନୋତ୍ତର ଅବସ୍ଥାରୁ ପ୍ରଚଳିତ । ତେବେ ୨୦୨୩ ବେଳକୁ କେତେକ ରାଜ୍ୟରେ ସମ୍ୱାଦପତ୍ର ପ୍ରଚାରପତ୍ରସ୍ତରକୁ ଖସିଆସିବାକୁ କେହି ସହଜରେ ଗ୍ରହଣ କରିପାରି ନଥିଲେ । ଏହି ପରିବେଶ ସ୍ୱାଭିମାନୀ ସାମ୍ୱାଦିକଙ୍କୁ ସ୍ୱାଧୀନ ସାମ୍ୱାଦିକତା ଦିଗରେ ପ୍ରବର୍ତ୍ତାଇବା ସମ୍ଭବ ବୋଲି ବିଶ୍ୱାସ କରାଯାଉଛି । ଫଳରେ ବିପର୍ଯ୍ୟୟର ଧାରା ଗୁଣାତ୍ମକ ସାମ୍ୱାଦିକତା ପରିପ୍ରକାଶରେ ରୂପାନ୍ତରଣ ଲାଗି ସୁଯୋଗ ସୃଷ୍ଟି ସମ୍ଭାବନା ୨୦୨୪-ପର ଅବସ୍ଥାରେ ଏକ ଆଶାର କିରଣ । ଏହାକୁ .ସାନ୍ତ୍ୱନା ବୋଲି ସମାଲୋଚ଼ନା କରାଗଲେ ସୁଦ୍ଧା ବିକଳ୍ପ ବା କ’ଣ ?        



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୯ ଡ଼ିସେମ୍ୱର ୨୦୨


ତଥ୍ୟ :

 

Skibidski, Maff. AI will democratize disinformation. Nieman Lab. Predictions for Journalism 2024.

 

Lieberman, Trndy. As local news recodes, the rising tide of ‘Pink-Slime’ floods the gap. centreforealth journalism..com, May 16, 2023

ବିଶ୍ୱ ସମ୍ୱାଦ ପ୍ରକାଶନ ପ୍ରବାହ ୨୦୨୨-୨୦୨୩

ବିଶ୍ୱ ସମ୍ୱାଦ ପ୍ରକାଶନ ପ୍ରବାହ ୨୦୨୨-୨୦୨୩ ‘ୱାର୍ଲ୍ଡ ପ୍ରେସ ଟ୍ରେଣ୍ଡସ ଆଉଟଲୁକ ୨୦୨୨-୨୦୨୩’ ଶୀର୍ଷକ ଏକ ରିପୋର୍ଟ ‘ୱାର୍ଲ୍ଡ ଏସୋସିଏସନ ଅଫ ନିଉଜପେପରର୍ସ ଏଣ୍ଡ ନିଉଜ ପବ୍ଳିସର୍ସ’ କର୍ତ୍ତୃକ ମାର୍ଚ୍ଚ ୨୦୨୩ରେ ପ୍ରକାଶିତ ହୋଇଥିଲା । ଏଥିରେ ସମକାଳୀନ ବିଶ୍ୱ ସମ୍ୱାଦ ପ୍ରକାଶନ ପ୍ରବାହରେ ମାନ୍ଦାବସ୍ଥା ଦେଖା ଦେଇଥିବା ଉଲ୍ଲେଖ କରାଯାଇଥିଲା । ବିକଶିତ ଓ ବିକାଶଶୀଳ ଅର୍ଥନୀତିରେ ସମ୍ୱାଦ ପ୍ରକାଶନ ଶିଳ୍ପରେ ବ୍ୟାପକ ପ୍ରଭେଦ ଦେଖିବାକୁ ମିଳେ । ବିକଶିତ ଅର୍ଥନୀତିରେ ସମ୍ୱାଦ ପ୍ରକାଶନ ଶିଳ୍ପରେ ନିରାଶା ବ୍ୟାପିଥିବା ଅବସରରେ ବିକାଶଶୀଳ ଅର୍ଥନୀତିର ସମ୍ୱାଦ ପ୍ରକାଶନ ଶିଳ୍ପ ଅପେକ୍ଷାକୃତ ଭାବେ ଆଶାବାଦୀ ଥିଲା ।

 

ସାମଗ୍ରିକଭାବେ ୨୦୨୨ରେ ଋଷ-ୟୁକ୍ରେନ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଥିବା ସ୍ଥଳେ ସମ୍ୱାଦ ପ୍ରକାଶନ ଶିଳ୍ପ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । ମୁଖ୍ୟତଃ ତିନିଗୋଟି କାରଣ ମୁଦ୍ରାସ୍ପୀତି, ବିଜ୍ଞାପନ ବ୍ୟୟହ୍ରାସ ଓ ସମ୍ୱାଦପତ୍ର ମୁଦ୍ରଣ କାଗଜ ମୂଲ୍ୟ ବୃଦ୍ଧି ମୁଦ୍ରିତ ସମ୍ୱାଦପତ୍ର ବ୍ୟବସାୟକୁ କ୍ଷତି ପହୁଞ୍ଚାଇଥିଲା । ପରବର୍ତ୍ତୀ ବର୍ଷ ୨୦୨୩ରେ ମାନ୍ଦାବସ୍ଥା ବିକଶିତ ଅର୍ଥନୀତିରେ ଆକଳନ କରାଯାଉଥିବା ବେଳେ ବିକାଶଶୀଳ ଅର୍ଥନୀତିରେ ସମ୍ୱାଦ ଶିଳ୍ପ ସୃଷ୍ଟ ପରିସ୍ଥିତିର ମୁକାବିଲା ନିମନ୍ତେ ବିକଳ୍ପ ବ୍ୟବସ୍ଥାମାନ ଗ୍ରହଣ କରିବା ଦିଗରେ ବଦ୍ଧପରିକର ।

 

‘ୱାର୍ଲ୍ଡ ପ୍ରେସ ଟ୍ରେଣ୍ଡସ ଆଉଟଲୁକ ୨୦୨୨-୨୦୨୩’ ରିପୋର୍ଟ ପ୍ରସ୍ତୁତି ନିମନ୍ତେ ‘ୱାର୍ଲ୍ଡ ଏସୋସିଏସନ ଅଫ ନିଉଜ ପବ୍ଳିସର୍ସ’ ପକ୍ଷରୁ ଆନ୍ତର୍ଜାତିକସ୍ତରରେ ୬୨ ଗୋଟି ରାଷ୍ଟ୍ରରେ ୧୬୭ ଜଣ ନେତୃସ୍ଥାନୀୟ ଗଣମାଧ୍ୟମ ବ୍ୟକ୍ତିଙ୍କଠାରୁ ୨୦୨୨ ମଧ୍ୟଭାଗରେ ତଥ୍ୟ ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୫.୪ ପ୍ରତିଶତ ପରବର୍ତ୍ତୀ ବର୍ଷ ସମ୍ୱାଦ ଶିଳ୍ପରେ ମାନ୍ଦାବସ୍ଥା ଲାଗି ରହିବା ଆଶଙ୍କା କରିଥିବା ସ୍ଥଳେ ୫୩.୬ ପ୍ରତିଶତ ପରବର୍ତ୍ତୀ ତିନି ବର୍ଷରେ ଅବସ୍ଥାରେ ସୁଧାର ଆସିଯିବା ନେଇ ଆଶାବାଦୀ ଥିଲେ । ଅର୍ଥାତ, ମୁଦ୍ରିତ ସମ୍ୱାଦ ଶିଳ୍ପରେ ଦେଖାଦେଇଥିବା ଅସ୍ଥିରତା ୨୦୨୩-୨୦୨୪ରେ ପ୍ରଭାବଶାଳୀ ରହିବା ସ୍ଥଳେ ୨୦୨୪ରୁ ୨୦୨୭ ମଧ୍ୟରେ ସୁଧାର ଆସିବା ବିଶ୍ୱାସ କରୁଥିଲେ ।

 

ଏହି ସର୍ବେକ୍ଷଣ ତଥ୍ୟ ଅନୁଶୀଳନରେ ସମକାଳୀନ ସମ୍ୱାଦ ଶିଳ୍ପରେ କ୍ରମବିକଶିତ ପ୍ରବାହରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ପ୍ରଥମତଃ, ବିକାଶଶୀଳ ଅର୍ଥନୀତିରେ ସମ୍ୱାଦ ଶିଳ୍ପ ପାରମ୍ପରିକ ବ୍ୟାବସାୟିକ ମଡ଼େଲରେ ପରିବର୍ତ୍ତନ ନିମନ୍ତେ ଯତ୍ନଶୀଳ । ବିଜ୍ଞାପନ ଓ ଗ୍ରାହକ ଚାନ୍ଦାରୁ ୫୩.୫ ପ୍ରତିଶତ ଯାଏଁ ମୁଦ୍ରିତ ସମ୍ୱାଦପତ୍ରର ଆୟ ହିସାବ କରାଯାଉଥିଲେହେଁ ବିକଳ୍ପ ଆୟ ସୂତ୍ରଗୁଡ଼ିକୁ ନେଇ ପରୀକ୍ଷାନିରୀକ୍ଷା ଚାଲୁ ରହିଥିଲା । ସମ୍ୱାଦପତ୍ରଗୁଡ଼ିକର ଡିଜିଟାଲ ମଞ୍ଚରେ ଗ୍ରାହକ ଚାନ୍ଦା, ଉତ୍ସବାନୁଷ୍ଠାନ ‘ଇଭେଣ୍ଚ’ ଏବଂ ବଦାନ୍ୟତା ‘ଗ୍ରାଣ୍ଟ’ ବହୁ ସମ୍ୱାଦ ସଂସ୍ଥାର ବିକଳ୍ପ ଆୟ ସୂତ୍ର ପାଲଟିଛି । ଏହି କ୍ଷେତ୍ରରେ ଉନ୍ନତି ନିମନ୍ତେ ସମସ୍ତେ ଯୋଜନାବଦ୍ଧ ଉଦ୍ୟମ ଚଳାଇଥିଲେ । ବିକାଶଶୀଳ ଅର୍ଥନୀତିରେ ମୁଦ୍ରିତ ସମ୍ୱାଦ ମଞ୍ଚଗୁଡ଼ିକ ଗ୍ରାହକଚାନ୍ଦା ଓ ବିଜ୍ଞାପନରୁ ୨୦୨୧ ତୁଳନାରେ ପରବର୍ତ୍ତୀ ବର୍ଷରେ ୨୪ ପ୍ରତିଶତ ଯାଏଁ ଅଧିକା ଆୟ ଆଶା କରିଥିଲେ ।

 

ଦ୍ୱିତୀୟତଃ, ସମ୍ୱାଦ ମଞ୍ଚଗୁଡ଼ିକ ପରିବେଷିତ ସମ୍ୱାଦର ଗୁଣବତ୍ତା ବୃଦ୍ଧି ‘ପ୍ରଡ଼କ୍ଟ ଡ଼େଭଲାପମେଣ୍ଟ’, ଗ୍ରାହକ ଚାନ୍ଦା ଓ ବିକଳ୍ପ ଆୟ ‘ରିଡସ ରେଭିନ୍ୟୁ ଏଣ୍ଡ ଆଦର ରେଭିନ୍ୟୁ ସୋର୍ସସ’ ଓ ବିଜ୍ଞାପନ ନିବେଶ ‘ଏଡ଼ଭାଟାଇଜମେଣ୍ଟ ଇନଭେଷ୍ଟମେଣ୍ଟ’ ତିନିଗୋଟି କ୍ଷେତ୍ରକୁ ଗୁରୁତ୍ୱ ଦେଉଥିବା ଜଣାଯାଇଥିଲା । ଏହି କ୍ଷେତ୍ରରେ ତିନିଥାକିଆ ଯୋଜନା କାର୍ଯ୍ୟକାରୀ ହେଉଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରଥମ ସୋପାନରେ ସମ୍ୱାଦ ଗୁଣବତ୍ତା ବୃଦ୍ଧି ନିମନ୍ତେ ଯୋଗ୍ୟ ଶ୍ରମଶକ୍ତି ନିୟୋଜନ ଏବଂ ସମ୍ପାଦକୀୟ, ବିଜ୍ଞାପନ ଓ ପ୍ରସାର ତିନିଗୋଟି ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମ ପ୍ରଣୟନକୁ ଗୁରୁତ୍ୱ ଦିଆଯାଉଥିଲା । ଦ୍ୱିତୀୟ ସୋପାନରେ ସମ୍ୱାଦ ଓ ସମ୍ୱାଦପତ୍ରର ମାନ ବୃଦ୍ଧି ଫଳରେ ଗ୍ରାହକ ସଂକୋଚ଼ନ ହ୍ରାସ ଓ ପ୍ରସାର ବୃଦ୍ଧି ପ୍ରତି ବିଧିବଦ୍ଧ ଧ୍ୟାନ ଆକର୍ଷିତ ହେଉଥିଲା । ତୃତୀୟ ସୋପାନରେ ବିକଳ୍ପ ବିଜ୍ଞାପନ ଆୟବୃଦ୍ଧି ନିମନ୍ତେ ପଦକ୍ଷେପମାନ ଗ୍ରହଣ କରାଯାଉଥିଲା ।

 

ତୃତୀୟତଃ, ବିଶ୍ୱବ୍ୟାପୀ ସାମ୍ୱାଦିକମାନଙ୍କୁ ଶାରିରୀକ ଆକ୍ରମଣ ଓ ସମ୍ୱାଦ ସଂସ୍ଥାମାନଙ୍କୁ ପ୍ରଶାସନିକସ୍ତରରେ ହଇରାଣ ହରକତର ଉଦାହରଣ କ୍ରମାଗତ ବୃଦ୍ଧି ପାଉଥିବା ହେତୁ ରିପୋର୍ଟରେ ଉଦବେଗ ପ୍ରକାଶ ପାଇଥିଲା । ବିକଶିତ ରାଷ୍ଟ୍ରଗୁଡିକରେ ନାଗରିକ ସମାଜ ଶକ୍ତିଶାଳୀଥିବା ହେତୁ ସାମ୍ୱାଦିକମାନଙ୍କୁ ବିକାଶୀଳ ରାଷ୍ଟ୍ରଗୁଡ଼ିକ ତୁଳନାରେ ଅପେକ୍ଷାକୃତ ସୁରକ୍ଷା ମିଳିପାରୁଥିବା ତଥ୍ୟାବଳୀ ସଂକଳିତ ହୋଇଥିଲା । ତେବେ ଉଭୟ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସାମ୍ୱାଦିକମାନଙ୍କୁ ଆକ୍ରମଣ ଘଟଣାରେ ୮୦ ପ୍ରତିଶତ ଯାଏଁ ମାମଲା ସମାଧାନ ନହୋଇ ପାରୁଥିବା ହିସାବ କରାଯାଇଥିଲା ।

 

ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସାମ୍ୱାଦିକମାନେ ଅଧିକ ପରିମାଣରେ ଶାରିରୀକ ଆକ୍ରମଣର ଶୀକାର ହେଉଥିବା ସ୍ଥଳେ ବିକଶିତ ରାଷ୍ଟ୍ରଗୁଡ଼ିକରେ ସାମ୍ୱାଦିକମାନେ ସାଇବର ଆକ୍ରମଣର ଶୀକାର ହୋଇଥାନ୍ତି । ପ୍ରତି ଦଶ ଜଣ ଗଣମାଧ୍ୟମ ନେତୃବର୍ଗଙ୍କ ମଧ୍ୟରେ ଛଅ ଜଣ, ଅର୍ଥାତ ୬୦ ପ୍ରତିଶତ ବିକଶିତ ରାଷ୍ଟ୍ରର ପଦସ୍ଥ କର୍ମକର୍ତ୍ତାମାନେ ସେମାନଙ୍କ ସଂସ୍ଥାରେ ନିୟୋଜିତ ସାମ୍ୱାଦିକ ସାଇବର ଆକ୍ରମଣ ଆକ୍ରାନ୍ତ ହେଉଥିବା ଦର୍ଶାଇଥିଲେ । ପୁରୁଷ ଓ ମହିଳା ସାମ୍ୱାଦିକଙ୍କ ମଧ୍ୟରେ ତାରତମ୍ୟ ସର୍ବତ୍ର ବିଦ୍ୟମାନ ।

 

‘ୱାର୍ଲ୍ଡ ଏସୋସିଏସନ ଅଫ ନିଉଜପେପେରର୍ସ ଏଣ୍ଡ ନିଉଜ ପବ୍ଳିସର୍ସ’ଙ୍କ ରିପୋର୍ଟ ମହାମାରୀ-ପର ପରିବର୍ତ୍ତିତ ପରିବେଶରେ ସମ୍ୱାଦ ପ୍ରକାଶନ ‘ପ୍ରେସ’, ମୁଖ୍ୟତଃ ମୁଦ୍ରିତ ସମ୍ୱାଦପତ୍ରର ଆନ୍ତର୍ଜାତିକସ୍ତରରେ ବାସ୍ତବ ଚ଼ିତ୍ର ପ୍ରଦାନ କରିଛି । ଏକ ପକ୍ଷରେ ବ୍ୟୟ ବୃଦ୍ଧି ଓ ଆୟ ହାନୀ ଯୋଗୁଁ ସମ୍ୱାଦପତ୍ର ବ୍ୟବସାୟ ଦୁର୍ଗତିର ଶୀକାର ହୋଇଥିବା ସ୍ଥଳେ ଏହି ଅବସ୍ଥା କ୍ଷଣସ୍ଥାୟୀ ଏବଂ ସମ୍ୱାଦଶିଳ୍ପ ଭବିଷ୍ୟତରେ ପରିସ୍ଥିତିର ମୁକାବିଲାରେ ସମର୍ଥ ହେବା ବିଶ୍ୱାସ ବଳବତ୍ତର ରହିଛି ।

 

ତେବେ ଦୁରବସ୍ଥାର ଦୂରୀକରଣ ନିମନ୍ତେ ଅଣ-ପାରମ୍ପରିକ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଉଛି । ଉଦାହରଣରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ସମ୍ୱାଦପତ୍ରଗୁଡ଼ିକ ସାମାଜିକ ଗଣମାଧ୍ୟମ ମଞ୍ଚରେ ଅବତୀର୍ଣ୍ଣ ହୋଇ ଲୋକପ୍ରିୟତା ହାସଲ କରିବାକୁ ଉଦ୍ୟମ କରୁଛନ୍ତି । ପଡ଼କାଷ୍ଟ, ନିଉଜଲେଟର ଭଳି ଉତ୍ପାଦ ଜରିଆରେ ପ୍ରାୟୋଜକ ବିଜ୍ଞାପନ ‘ସ୍ପୋନସରସିପ’ ଆୟ ପ୍ରତି କାର୍ଯ୍ୟଧାରା ସଂପ୍ରସାରିତ କରୁଛନ୍ତି । ସମ୍ୱାଦପତ୍ରରେ ସମ୍ୱାଦ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଥିବା ହେତୁ ସମ୍ୱାଦ ପରିବେଷଣରେ ଗୁଣବତ୍ତା ବୃଦ୍ଧିଲାଗି ସାମୂହିକ ପ୍ରଚ଼େଷ୍ଟାରେ ବ୍ରତୀ ହେଉଛନ୍ତି ।

 

ୱାର୍ଲ୍ଡ ଏସୋସିଏସନ ଅଫ ନିଉଜପେପରର୍ସ ଏଣ୍ଡ ନିଉଜ ପବ୍ଳିଶର୍ସ ସାମ୍ୱାଦିକ ଓ ପ୍ରକାଶକଙ୍କ ସ୍ୱର୍ଥରକ୍ଷା ଲାଗି ନିୟୋଜିତ । ଏହି ସଂଗଠନରେ ତିନି ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ ରାଷ୍ଟ୍ରର ସମ୍ୱାଦପତ୍ର ସଦସ୍ୟ ରହିଛନ୍ତି । ଏତଦ୍ ବ୍ୟତୀତ ୧୨୦ ଗୋଟି ରାଷ୍ଟ୍ରରେ ୬୦ ଗୋଟି ସାମ୍ୱାଦିକ ସଂଗଠନରେ ପଞ୍ଜୀକୃତ ଅଠର ହଜାର ସମ୍ୱାଦପତ୍ର ମଧ୍ୟ ଏହାର କାର୍ଯ୍ୟଧାରା ସହ ସଂଶ୍ଳିଷ୍ଟ । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ୧୯୪୮ରେ ଗଠିତ ଏହି ସାମ୍ୱାଦିକ ସଂଗଠନ ମୁଖ୍ୟତଃ ସାମ୍ୱାଦିକତା ଓ ସମ୍ୱାଦ ଶିଳ୍ପରେ ବ୍ୟବହୃତ ବୈଷୟିକ କୌଶଳ ଅଗ୍ରଗତି ସଂପର୍କରେ ସମ୍ୱାଦପତ୍ର ପ୍ରକାଶକମାନଙ୍କୁ ଅବଗତ ଓ ପ୍ରଶିକ୍ଷିତ କରାଇଥାଏ । ୱାର୍ଲ୍ଡ ପ୍ରେସ ଟ୍ରେଣ୍ଡସ ଆଉଟଲୁକ ୨୦୨୨-୨୦୨୩ ରିପୋର୍ଟ ମହାମାରୀ-ପର ଅବସ୍ଥାରେ ସମ୍ୱାଦପତ୍ର ସଂସ୍ଥାଗୁଡ଼ିକୁ ନିଜ ଭବିଷ୍ୟତ କାର୍ଯ୍ୟଧାରା ସମ୍ଭାଳିବାରେ ପ୍ରେରଣା ଦେବା ଆଶା କରାଯାଏ । 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଏପ୍ରିଲ ୨୦୨


ତଥ୍ୟ :


 

The state of news business-Key findings from the “World Press Trends outlook 2022-2023” report

 

https://thefix.media/2023/3/28/the-state-of-the-news-business-key-findings-from-the-world-press-trends-outlook-2022-2023-report

ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୩

ବ୍ରିଟେନର ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ରଏଟର୍ସ ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ କର୍ତ୍ତୃକ ପ୍ରକାଶିତ ବାର୍ଷିକ ଡ଼ିଜିଟାଲ ନିଉଜ ରିପୋର୍ଟ ସମକାଳ ଆନ୍ତର୍ଜାତିକ ଗଣମାଧ୍ୟମରେ ଅନ୍ୟତମ ଚର୍ଚ୍ଚିତ ପ୍ରକାଶନ । ବିଂଶ ଶତାଦ୍ଦୀର ଶେଷ ଦଶକରୁ ସମ୍ୱାଦ ସରବରାହ କ୍ରମଶଃ ଅନଲାଇନ ପରିବେଶକୁ ସ୍ଥାନାନ୍ତରିତ ହେବା ଅବସରରେ ଡ଼ିଜିଟାଲ ସମ୍ୱାଦ ମଞ୍ଚର ଗତିପ୍ରକୃତି ଅନୁଧ୍ୟାନ ଗୁରୁତ୍ୱଲାଭ କରିଥିଲା । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭ ୨୦୧୨ରୁ କ୍ରମାଗତଭାବେ ପ୍ରକାଶିତ ‘ଡ଼ିଜିଟାଲ ନିଉଜ ରିପୋର୍ଟ’ର ଦ୍ୱାଦଶ ସଂସ୍କରଣ ଜୁନ ୨୦୨୩ ମଧ୍ୟଭାଗରେ ପ୍ରକାଶିତ ହୋଇଥିଲା । ମୋଟ ୧୬୦ ପୃଷ୍ଠାର ଏହି ବିବରଣୀ ପ୍ରସ୍ତୁତି ନିମନ୍ତେ ତଥ୍ୟ ସଂଗ୍ରହ ଲାଗି ୨୦୨୩ ଜାନୁୟାରୀ ଓ ଫେବୃୟାରୀରେ ଆୟୋଜିତ ସର୍ବେକ୍ଷଣରେ ଭାରତ ସମେତ ୪୬ ଗୋଟି ରାଷ୍ଟ୍ରରୁ ୯୨ ହଜାର ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

 

ପାରମ୍ପରିକଭାବେ ‘ଡ଼ିଜିଟାଲ ନିଉଜ ରିପୋର୍ଟ’ ଜୁନ ମାସରେ ପ୍ରକାଶିତ ହେବାପରେ କ୍ରମବର୍ଦ୍ଧିଷ୍ଣୁ ଡ଼ିଜିଟାଲ ମିଡ଼ିଆର ସମ୍ଭାବ୍ୟ ଭବିଷ୍ୟତକୁ ନେଇ ବିଶ୍ୱବ୍ୟାପୀ ଆଲୋଚ଼ନା ହୋଇଥାଏ । ରିପୋର୍ଟର ଜନାଦୃତିର ବିଭିନ୍ନ କାରଣ ମଧ୍ୟରେ ପ୍ରଥମତଃ ଅକ୍ସଫୋର୍ଡ଼ ଏକ ପ୍ରଚୀନ ଓ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ, ଦ୍ୱିତୀୟତଃ ରଏଟରର୍ସ ଇନଷ୍ଟିଉଟ ଅଫ ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ ଆନ୍ତର୍ଜାତିକସ୍ତରରେ ସମ୍ୱାଦ ଅଧ୍ୟୟନ କ୍ଷେତ୍ରରେ ଏକ ଅଗ୍ରଣୀ ପ୍ରତିଷ୍ଠାନ, ତୃତୀୟତଃ ଡ଼ିଜିଟାଲ ମିଡ଼ିଆର ସୁଦୂରପ୍ରସାରୀ ପ୍ରଭାବ ସଂପର୍କରେ ମୁଖ୍ୟତଃ ଗଣମାଧ୍ୟମରେ ସଂପୃକ୍ତ ବ୍ୟକ୍ତିବିଶେଷ ସତର୍କ ଦୃଷ୍ଟି ରଖିଥାନ୍ତି, ଚତୁର୍ଥତଃ ଏହି ଅଧ୍ୟୟନରେ ବହୁ ସଂଖ୍ୟକ ରାଷ୍ଟ୍ରରୁ ବହୁ ସଂଖ୍ୟକ ବ୍ୟକ୍ତି ଅଶଂଗ୍ରହଣ କରୁଥିବା ହେତୁ ନିଷ୍କର୍ଷ ବିଶ୍ୱସନୀୟ ଅନୁଭୂତ ହୁଏ ଏବଂ ପଞ୍ଚମତଃ ଦୀର୍ଘ ବାର ବର୍ଷ ଧରି ଗବେଷଣା ବଳବତ୍ତର ରହିଥିବା କାରଣରୁ ବିଭିନ୍ନ ଉପକ୍ରମର ତୁଳନାତ୍ମକ ଅଧ୍ୟୟନ ସହଜପ୍ରଦ ହୋଇଥାଏ ।

 

‘ଡ଼ିଜିଟାଲ ନିଉଜ ରିପୋର୍ଟ’ ମୌଳିକଭାବେ ଡ଼ିଜିଟାଲ ସମ୍ୱାଦ ମଞ୍ଚ ଓ ଉପଭୋକ୍ତା ସଂପର୍କୀତ ତଥ୍ୟାବଳୀ ଅବତାରଣା କରିଥାଏ । ତେବେ ସାର୍ବଜନୀନସ୍ତରରେ ଡ଼ିଜିଟାଲ ସମ୍ୱାଦ ପ୍ରାଧାନ୍ୟ ବିସ୍ତାର କରିଥିବା ଏବଂ ପାରମ୍ପରିକ ସମ୍ୱାଦ ମଞ୍ଚ ସମୂହ ଡ଼ିଜିଟାଲ ରୂପାନ୍ତରିକରଣ ପ୍ରକ୍ରିୟାରେ ସକ୍ରିୟ ରହୁଥିବା ହେତୁ ଡ଼ିଜିଟାଲ ସମ୍ୱାଦ ମଞ୍ଚର ରୂପରେଖ ଗୁରୁତ୍ୱ ବହନ କରେ । ଅର୍ଥାତ, ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ବିନ୍ୟାସ, ଉପଭୋକ୍ତାଙ୍କ ଆଚ଼ରଣ ଓ ସାମାଜିକ ପ୍ରଭାବ ଊଣାଅଧିକେ ପାରମ୍ପରିକ ମୁଦ୍ରଣ, ଟେଲିଭିଜନ ମଞ୍ଚଗୁଡ଼ିକରେ ମଧ୍ୟ ସମଭାବେ ପ୍ରତିଫଳିତ ହେଉଥିବା ବିଶ୍ୱାସ କରାଯାଏ । ଏହି କାରଣରୁ ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୩’ ଅନୁଶୀଳନ ଆନ୍ତର୍ଜାତିକ ପୃଷ୍ଠଭୂମିରେ ସମକାଳୀନ ଗଣମାଧ୍ୟମର ଗତିପ୍ରକୃତିର ସ୍ପଷ୍ଟ ଚ଼ିତ୍ର ଉପସ୍ଥାପିତ କରିଥାଏ ।

 

ସମ୍ୱାଦ ମଞ୍ଚଗୁଡ଼ିକର ପରିଚାଳନା ଓ ପ୍ରଭାବ ସମସାମୟିକ ସାମାଜିକ ସ୍ଥିତାବସ୍ଥା ଉପରେ ନିର୍ଭରଶୀଳ । ସାମଗ୍ରିକଭାବେ ୨୦୨୩ ଆରମ୍ଭ ସୁଦ୍ଧା ବିଶ୍ୱବ୍ୟାପୀ ନିଅଣ୍ଟିଆ ଜୀବିକାନିର୍ବାହ ସମସ୍ୟା ‘ଗ୍ଳୋବାଲ କଷ୍ଟ-ଅଫ-ଲିଭିଂ କ୍ରାଇସିସ’, ୟୁକ୍ରେନ ଯୁଦ୍ଧ ଓ ପାଣିପାଗ ଅସ୍ଥିରତା ମୁଖ୍ୟ ସାମାଜିକ ପ୍ରସଙ୍ଗ ରୂପେ ରିପୋର୍ଟରେ ଚ଼ିହ୍ନଟ କରାଯାଇଛି । ଏତାଦୃଶ  ବିଶୃଙ୍ଖଳିତ ପରିବେଶରେ ସତ୍ୟନିଷ୍ଠ, ଅର୍ଥନୀତି ଦିଗରୁ ସଶକ୍ତ ଓ ସ୍ୱଧୀନ ସାମ୍ୱାଦିକତା ଆବଶ୍ୟକ ଥିବା ସ୍ଥଳେ ସମ୍ୱାଦ ମଞ୍ଚଗୁଡ଼ିକ ବିଶ୍ୱସନୀୟତା ହରାଉଥିବା, ଉପଭୋକ୍ତାଙ୍କ ସମ୍ୱାଦ-ବିମୁଖ ଆଚ଼ରଣ ଓ ଗଣମାଧ୍ୟମରେ ଅସ୍ଥିର ବ୍ୟାବସାୟିକ ସ୍ଥିତି ଉଦବେଗର କାରଣ । ବିଭିନ୍ନ ରାଷ୍ଟ୍ରରେ ଅର୍ଥନୀତିକ ମାନ୍ଦାବସ୍ଥା ହେତୁ ନାଗରିକଗଣ ସମ୍ୱାଦ ଆହରଣ ଲାଗି କେତେ ଅର୍ଥ ବ୍ୟୟ କରିବେ ସେହି ଦିଗରେ ସଚ଼େତନ । ପାରିବାରିକ ଖର୍ଚ୍ଚକାଟରେ ଗଣମାଧ୍ୟମରେ ବ୍ୟୟ ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ସର୍ବେକ୍ଷଣରୁ ଗୃହୀତ ତଥ୍ୟ ଅନୁଯାୟୀ ସମକାଳୀନ ଆର୍ଥିକ ମାନ୍ଦାବସ୍ଥାରେ ବିଶ୍ୱବ୍ୟାପୀ ୭୭ ପ୍ରତିଶତ ପ୍ରଭାବିତ ହୋଇଥିବା ସ୍ୱୀକାର କରିଥିଲେ ଏବଂ ମାତ୍ର ୨୦ ପ୍ରତିଶତ ସେମାନଙ୍କ ଅର୍ଥନୀତିକ ଜୀବନରେ ବିଶେଷ ପ୍ରଭାବ ପକାଇ ନଥିବା ସୂଚାଇ ଥିଲେ । ଆୟହାନୀ ହେତୁ ପାରମ୍ପରିକ ମୁଦ୍ରଣ ଓ ଟେଲିଭିଜନ ସମ୍ୱାଦ ମଞ୍ଚଗୁଡ଼ିକ ଡ଼ିଜିଟାଲ ଅଭିମୁଖୀ ହେଉଥିବା ରଏଟର୍ସ ଇନଷ୍ଟିଟିଉଟ ସର୍ବେକ୍ଷଣରେ ସ୍ପଷ୍ଟ ବାରି ହୋଇଥିଲା ।

 

ବହୁ ରାଷ୍ଟ୍ରରେ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ମଞ୍ଚରେ ସମ୍ୱାଦ ଉପଭୋକ୍ତାଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି । ସମ୍ୱାଦ ଆହରଣ କ୍ଷେତ୍ରରେ ସୃଷ୍ଟି ହେଉଥିବା ଶୂନ୍ୟସ୍ଥାନ ଅନଲାଇନ ସମ୍ୱାଦ ମଞ୍ଚରେ ପୂରଣ ହୋଇପାରୁ ନାହିଁ । ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ପାଠକ ଓ ଦର୍ଶକଙ୍କ ସଂଖ୍ୟା କମିଛି । ସଂଗୃହୀତ ତଥ୍ୟ ଅନୁଯାୟୀ ଅନଲାଇନ ମଞ୍ଚରେ ୨୦୧୭ରେ ୬୩ ପ୍ରତିଶତ ସମ୍ୱାଦ ଅନୁରାଗୀ ହିସାବ କରାଯାଇଥିବା ବେଳେ ୨୦୨୩ରେ ୪୮ ପ୍ରତିଶତରେ ପହଞ୍ଚିଛି । ବିଶ୍ୱବ୍ୟାପୀ ଅର୍ଥନୀତିକ ଓ ରାଜନୀତିକ ସଂକଟ ପ୍ରସାର ହେତୁ ସାଧାରଣ ବିଚାରରେ ସମ୍ୱାଦପ୍ରତି ଆକର୍ଷଣ ବଢ଼ିବାର କଥା, କିନ୍ତୁ ବିପରୀତ ଚ଼ିତ୍ର ଦେଖିବାକୁ ମିଳୁଛି । ଡ଼ିଜିଟାଲ ମଞ୍ଚରେ ସମ୍ୱାଦ-ବିମୁଖଙ୍କ ସଂଖ୍ୟା ୩୬ ପ୍ରତିଶତ ଥିବା ସର୍ବେକ୍ଷଣରୁ ଜଣାଯାଇଛି । ଯେଉଁ ରାଷ୍ଟ୍ରଗୁଡ଼ିକରେ ରାଜନୀତିକ ଧୃବୀକରଣ ‘ପୋଲାରାଇଜେସନ’, ଅର୍ଥାତ କୌଣସି ରାଜନୀତିକ ମତବାଦରେ ଗଭୀରଭାବେ ବିଶ୍ୱାସ କରୁଥିବା ନାଗରିକଙ୍କ ସଂଖ୍ୟା ଅଧିକ, ସେଠାରେ ସମ୍ୱାଦ-ବିମୁଖ ମଧ୍ୟ ଅଧିକ ମାତ୍ରାରେ ଦେଖାଦେଇଥାନ୍ତି ।

 

ସମ୍ୱାଦ-ବିମୁଖ ପରିବେଶର କାରଣ ତର୍ଜମା କରିବା ନିମନ୍ତେ ରିପୋର୍ଟରେ ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ଡ଼ିଜିଟାଲ ମଞ୍ଚ ଉପଭୋକ୍ତାଙ୍କ ଉଦାହରଣ ବର୍ଣ୍ଣନା କରାଯାଇଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ୟୁକ୍ରେନ ଯୁଦ୍ଧ ସଂପର୍କୀତ ସମ୍ୱାଦ ଆହରଣରୁ ଉପଭୋକ୍ତାମାନେ ଦୂରେଇ ରହୁଥିଲେ । ଏହାର ଅର୍ଥ ସେମାନେ ୟୁକ୍ରେନ ଯୁଦ୍ଧ ସଂପର୍କରେ ସମ୍ୱେଦନଶୀଳ ନଥିଲେ ବୋଲି କୁହାଯାଇପାରିବ ନାହିଁ । ହୁଏତ ୟୁକ୍ରେନ ଯୁଦ୍ଧ ଅବସ୍ଥା ସଂପର୍କରେ ସୋସିଆଲ ମିଡ଼ିଆ ସମେତ ବିଭିନ୍ନ ଗଣମାଧ୍ୟମ ମଞ୍ଚରେ ପରିବେଷିତ ସମ୍ୱାଦ ଆଧାରରେ ପରିସ୍ଥିତି ସଂପର୍କରେ ପୂର୍ଣ୍ଣ ଅବଗତ । ତେଣୁ ଅଧିକ ନକାରାତ୍ମକ ସମ୍ୱାଦରୁ ଦୂରେଇ ରହିବାକୁ ପସନ୍ଦ କରିଥାନ୍ତି । ସର୍ବେକ୍ଷଣରେ ୩୯ ପ୍ରତିଶତ ୟୁକ୍ରେନ ଯୁଦ୍ଧ, ୩୮ ପ୍ରତିଶତ ରାଷ୍ଟ୍ରୀୟ ରାଜନୀତି, ୩୧ ପ୍ରତିଶତ ସାମାଜିକ ନ୍ୟାୟ, ୩୦ ପ୍ରତିଶତ ଅପରାଧ ଓ ୨୮ ପ୍ରତିଶତ ବିଶିଷ୍ଟ ବ୍ୟକ୍ତିଙ୍କ ସଂପର୍କରେ ସମ୍ୱାଦ ଅଗ୍ରାହ୍ୟ କରୁଥିବା ସୂଚାଇଥିଲେ । ବିଡ଼ମ୍ୱନାର ବିଷୟ ଏହିଯେ ପାରମ୍ପରିକ ଭାବେ ସମ୍ପାଦକମାନେ ଏହି ଭଳି ସମ୍ୱାଦ ପାଠକୀୟ ଆଦର ଲାଭ କରିବ ବୋଲି ବିଶ୍ୱାସ କରିଆସିଥାନ୍ତି ।

 

କ୍ରମବର୍ଦ୍ଧିଷ୍ଣୁ ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ଉପଭୋକ୍ତାଗଣ ସାମ୍ୱାଦିକଙ୍କ ଦ୍ୱାରା ପରିବେଷିତ ସମ୍ୱାଦ ବଦଳରେ ବିଶିଷ୍ଟ ବ୍ୟକ୍ତି ‘ସେଲିବ୍ରିଟି’ ଓ ସାମାଜିକ ଗଣମାଧ୍ୟମ ପ୍ରବକ୍ତା ‘ସୋସିଆଲ ମିଡ଼ିଆ ଇନଫ୍ୱୁଏନସର’ଙ୍କ ଦ୍ୱାରା ପ୍ରସାରିତ ଉପାଦାନ ‘କଣ୍ଟେଣ୍ଟ’କୁ ପ୍ରାଧାନ୍ୟ ଦେଉଛନ୍ତି । ଫେସବୁକ ଓ ଟୁଇଟରରେ ସାମ୍ୱାଦିକଙ୍କ ଗୁରୁତ୍ୱ ରହୁଥିବା ସ୍ଥଳେ ଏହି ଦୁଇ ମଞ୍ଚ କ୍ରମଶଃ ସମ୍ୱାଦ ପରିବେଷଣରେ ପଛୁଆ । ଟିକଟକ, ଇନଷ୍ଟାଗ୍ରାମ ଓ ସ୍ନାପଚାଟ ଭଳି ମଞ୍ଚ ଲୋକପ୍ରିୟତା ହାସଲ କରୁଥିବା ସ୍ଥଳେ ସେଠି ସାମ୍ୱାଦିକଙ୍କ ଗୁରୁତ୍ୱ ଗୌଣ । ସେହିପରି ସମ୍ୱାଦ ମଞ୍ଚଗୁଡ଼ିକରେ ସମ୍ପାଦକଙ୍କ ଦ୍ୱାରା ସମ୍ୱାଦ ଚୟନ ବଦଳରେ ଯାନ୍ତ୍ରିକ ପଦ୍ଧତିରେ ସମ୍ୱାଦ ଚୟନ ‘ଆଲଗୋରିଥିମ’କୁ ପସନ୍ଦ କରୁଛନ୍ତି । କାରଣ ପାଠକ ଓ ଦର୍ଶକ ପୂର୍ବରୁ ପଢ଼ିଥିବା ବା ଦେଖିଥିବା ସମ୍ୱାଦ ଅନୁଯାୟୀ ଯାନ୍ତ୍ରିକ ପଦ୍ଧତି ସମ୍ୱାଦ ପ୍ରକାଶନ କରିଥାଏ । ଏହା ଉପଭୋକ୍ତଙ୍କ ବ୍ୟକ୍ତିଗତ ଋଚିକୁ ସୁହାଏ ।

 

ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ଡିଜିଟାଲ ମଞ୍ଚର ବିକାଶପରେ ସର୍ବସାଧାରଣରେ ମୁକ୍ତ ମତ ପ୍ରକାଶନ ବୃଦ୍ଧି ପାଇବ । ଏହି ପରିବେଶ ଗଣତାନ୍ତ୍ରିକ ପଦ୍ଧତିର ବିକାଶରେ ସହାୟକ ହେବ । କିନ୍ତୁ ରିପୋର୍ଟରେ ଦର୍ଶାଯାଇଛି ଯେ ଡ଼ିଜିଟାଲ ମଞ୍ଚରେ ମାତ୍ର ୨୨ ପ୍ରତିଶତ ଉପଭୋକ୍ତା ଅଂଶଗ୍ରହଣ କରୁଥିବା ସ୍ଥଳେ ୪୭ ପ୍ରତିଶତ ସମ୍ୱାଦ ଚର୍ଚ୍ଚାରୁ ଦୂରେଇ ରହନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ ଭଳି ରାଷ୍ଟ୍ରରେ ୨୦୧୬ ତୁଳନାରେ ୨୦୨୩ରେ ଦଶ ପ୍ରତିଶତ ସମ୍ୱାଦ ଚର୍ଚ୍ଚାରେ ସକ୍ରିୟ ଅଂଶଗ୍ରହଣ ହ୍ରାସ ପାଇଛି । ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ସକ୍ରିୟ ଉପଭୋକ୍ତା ଭାବେ ପୁରୁଷ, ଅପେକ୍ଷାକୃତ ଶିକ୍ଷିତ ଓ ରାଜନୀତିକ ମତବାଦରେ ସମର୍ଥକଙ୍କୁ ଚ଼ିହ୍ନଟ କରାଯାଇଥାଏ । ଭାରତରେ ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ସକ୍ରିୟ ଉପଭୋକ୍ତାଙ୍କ ସଂଖ୍ୟା ୩୪ ପ୍ରତିଶତ ।

 

ଗଣମାଧ୍ୟମ ସମୀକ୍ଷକଙ୍କ ମତରେ ‘ରଏଟର ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ର ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୩’ରେ ବର୍ଣ୍ଣିତ ତଥ୍ୟାବଳୀ କ୍ରମବିକଶିତ ଗଣମାଧ୍ୟମ ପରିବେଶର ଚ଼ିତ୍ରାଙ୍କନ ମାତ୍ର । ଏହି ଉପକ୍ରମଗୁଡ଼ିକ ସଂପର୍କରେ ଦୀର୍ଘ ଅତୀତରୁ ଆଲୋଚ଼ନା ଜାରୀ ରହିଆସିଥିଲା । ରିପୋର୍ଟ ପ୍ରଭାବରେ ସେଗୁଡ଼ିକର ଦୃଢ଼ୀକରଣ ସମ୍ଭବ ହୋଇଛି । ନୋବେଲ ପୁରସ୍କାର ବିଜୟନୀ ଫିଲିପାଇନ୍ସ ସ୍ୱାଧୀନ ଡ଼ିଜିଟାଲ ସମ୍ୱାଦ ମଞ୍ଚ ‘ରାପଲର’ର ପ୍ରତିଷ୍ଠାତା ମାରିଆ ରେସା ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୩’ ନିମନ୍ତେ ଆୟୋଜିତ ସର୍ବେକ୍ଷଣର ପଦ୍ଧତି ତୃଟିପୂର୍ଣ୍ଣ ଥିବା ଅଭିଯୋଗ ଆଣିଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ଫିଲିପାଇନ୍ସରେ ‘ରାପଲର’ର ବିଶ୍ୱସନୀୟତା ମାନାଙ୍କ କମ  ଥିବା ରିପୋର୍ଟରେ ଦର୍ଶାଯାଇଥିଲା । ମାରିଆ ‘ଦି ଗାର୍ଡ଼ିଆନ’ ସମ୍ୱାଦପତ୍ରକୁ କହିଥିଲେ ଯେ ଫିଲିପାଇନ୍ସ ପ୍ରଶାସନ ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୩’ ଆଧାରରେ ତାଙ୍କରି ସମ୍ୱାଦ ମଞ୍ଚ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ଶାଣିତ କରିବ ।

 

କୁହାଯାଏ ଫିଲିପାଇନ୍ସରେ ସରକାରୀ ନୀତି ସମାଲୋଚ଼କମାନଙ୍କୁ ବାମପନ୍ଥୀ, ଦେଶଦ୍ରୋହୀ ଆଖ୍ୟା ଦିଆଯାଇଥାଏ । ଫିଲିପାଇନ୍ସର ଅନୁଭୂତି କ୍ରମଶଃ ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରରେ ପ୍ରତିଫଳିତ ହେଉଥିବା ଲକ୍ଷ୍ୟ କରାଯାଏ । ସମାଲୋଚନାକୁ ସମ୍ୱାଦ ମଞ୍ଚ ଉପଭୋକ୍ତାମାନେ ଏଣିକି ଗ୍ରହଣ କରୁନାହାନ୍ତି କି ? ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୩’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସମ୍ୱାଦ-ବିମୁଖ ଚଳନ୍ତି ସମୟର ବୃହତ ସମ୍ୱାଦ ‘ବିଗ ନିଉଜ’ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ସକାରାତ୍ମକ ଓ ମୀମାଂସାତ୍ମକ ସମ୍ୱାଦ ‘ପଜିଟିଭ ଅର ସଲ୍ୟୁସନ-ବେସଡ଼’ ଜର୍ଣ୍ଣାଲିଜମ ଉପଭୋକ୍ତାଙ୍କ ପସନ୍ଦ ପାଲଟିଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ।

 

‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୩’ର ମୁଖ୍ୟାଂଶ ବର୍ଣ୍ଣନାତ୍ମକ ୟୁଟ୍ୟୁବ ଭିଡ଼ିଓ –

 

Watch “Global launch of the Digital News Report 2023 at Reuters, London” on YouTube

 

https://youtu.be/st9KkIVemYY  

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୩ ଜୁନ ୨୦୨୩


ତଥ୍ୟ :


 

Overview and key finds of the 2023 Digital News report. Reuters Institute for study of journalism.

 

https://reutersinstitute.politics.ox.ac.uk/digital-news-report/2023/dnr-executive-summary

ସାମ୍ୱାଦିକତାର ଭବିଷ୍ୟତ, ମାର୍ଚ୍ଚ ୨୦୨୩ 

ସାମ୍ୱାଦିକତା କ୍ଷେତ୍ରରେ ଦୂରଦୃଷ୍ଟି ସୁଦୂର ଭବିଷ୍ୟତକୁ ସଂପ୍ରସାରିତ ହୋଇପାରେନା । ପଞ୍ଚଦଶ ଶତାଦ୍ଦୀ ମଧ୍ୟଭାଗରେ ମୁଦ୍ରଣ ଯନ୍ତ୍ର ଉଦ୍ଭାବନର ଶହେ, ଦେଢ଼ ଶହ ବର୍ଷ ପରେ ପାଶ୍ଚାତ୍ୟ ଭୂଖଣ୍ଡରେ ବିକଶିତ ମୁଦ୍ରଣ ସାମ୍ୱାଦିକତା ବିଂଶ ଶତାଦ୍ଦୀ ପ୍ରଥମ ପାଦରେ ସିନେମା ଓ ରେଡ଼ିଓ, ଦ୍ୱିତୀୟ ପାଦରେ ଟେଲିଭିଜନ, ତୃତୀୟ ପାଦରେ ଇଣ୍ଟରନେଟର ଅଭ୍ୟୁଦୟରେ ଆନ୍ତର୍ଜାତିକ ଗଣମାଧ୍ୟମ ପରିବେଶରେ ସହବସ୍ଥାନ କରି ଆସିଥିଲା । କିନ୍ତୁ ମାର୍ସାଲ ମାକଲୁହାନଙ୍କ ‘ମିଡ଼ିଆ କୋ-ଏଗଜିଷ୍ଟସ’ ତତ୍ତ୍ୱ ଏକବିଂଶ ଶତାଦ୍ଦୀରେ ସ୍ମାର୍ଟଫୋନର ପ୍ରସାରରେ ସୃଷ୍ଟ ସୋସିଆଲ ମିଡ଼ିଆ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ, ସିନେମା ଓ ଇଣ୍ଟରନେଟ ସମସ୍ତ ମଞ୍ଚରେ ବ୍ୟାପକ ବିଘଟନର କାରଣ ପାଲଟିଲା । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷରେ ସଂଘଟିତ କୋଭିଡ଼-୧୯ ମହାମାରୀ-ପର ଅବସ୍ଥାରେ ସାମ୍ୱାଦିକତାର ପାରମ୍ପରିକ ଆଙ୍ଗିକରେ ପରିବର୍ତ୍ତନ ତୃତୀୟ ଦଶକ ଶେଷ ସୁଦ୍ଧା ଗଣମାଧ୍ୟମର ସ୍ୱରୂପ ଆକଳନ କଷ୍ଟକର ବୋଧ ହୋଇଥାଏ ।

 

ପ୍ରଥମତଃ, ଗଣମାଧ୍ୟମ ଓ ମନୋରଞ୍ଜନ ମୋବାଇଲ-କେନ୍ଦ୍ରୀକ ହେବା ପରେ ସାଧାରଣ ନାଗରିକ ଦୈନିକ ପାଞ୍ଚରୁ ଦଶ ଘଣ୍ଟା ଯାଏଁ ମୋବାଇଲ ପର୍ଦ୍ଦାରେ ଉପସ୍ଥିତ ରହିବା, କ୍ଷଣିକ ଭିତ୍ତିରେ ବିଭିନ୍ନ ଉପକ୍ରମ ସଂପର୍କରେ ଅବଗତ ହେବା ଏବଂ ନିଜ ରୁଚ଼ି, ବିଶ୍ୱାସ, ସଂପ୍ରଦାୟ ମଧ୍ୟରେ ଆବଦ୍ଧ ରହିବା ଗଣମାଧ୍ୟମର ସାର୍ବଜନୀନ ମୂଲ୍ୟବୋଧରେ କୁଠାରାଘାତ କରିଛି । ପ୍ରତ୍ୟେକ ମନୁଷ୍ୟ ମାନସିକସ୍ତରରେ ଏକ ସ୍ୱତନ୍ତ୍ର ଦ୍ୱୀପର ଅଧିବାସୀ ପଲଟିଛନ୍ତି । ଫଳରେ ଉପଭୋକ୍ତାଙ୍କ ସାର୍ବଜନୀନ ମଞ୍ଚ ଗୁଡ଼ିକରେ ଆହରଣ ଶୈଳୀଗତ ପରିବର୍ତ୍ତନ ପାରମ୍ପରିକ ମୂଲ୍ୟବୋଧର ବିରୁଦ୍ଧାଚ଼ରଣ କରୁଛି । ଦ୍ୱିତୀୟତଃ, ସୋସିଆଲ ମିଡ଼ିଆରେ ‘ନାଗରିକ ସାମ୍ୱାଦିକତା’ ପ୍ରସାର ପରେ ବୃତ୍ତିଗତ ସାମ୍ୱାଦିକତା ନୂତନ ସମୀକରଣର ସମ୍ମୁଖୀନ ହୋଇଛି । ପ୍ରତିଷ୍ଠିତ ସାମ୍ୱାଦିକମାନେ ବିଭିନ୍ନ କାରଣରୁ ଗଣମାଧ୍ୟମ ଅନୁଷ୍ଠାନ ପରିତ୍ୟାଗ କରି ସ୍ୱାଧୀନ ଭାବେ ପାଠ୍ୟ, ଶ୍ରାବ୍ୟ ଓ ଭିଡ଼ିଓ ମାଧ୍ୟମରେ ଅନୁଗତ ପାଠକ, ଶ୍ରୋତା ଓ ଦର୍ଶକଙ୍କ ନିକଟରେ ପହଞ୍ଚି ପାରୁଛନ୍ତି । ତୃତୀୟତଃ, ଗଣମାଧ୍ୟମ ମଞ୍ଚର ମାଲିକାନା କ୍ରମଶଃ ବୃହତ ଶିଳ୍ପପତି ଓ ନିବେଶ ସଂସ୍ଥାଗୁଡ଼ିକ ହାତକୁ ଚାଲିଯିବାପରେ ସାମ୍ୱାଦିକତାର ନୈତିକ ମୂଲ୍ୟବୋଧରେ ବ୍ୟାପକ ଅବକ୍ଷୟ ଘଟୁଛି । ଅବସ୍ଥା ଏପରି ସ୍ତରରେ ପହଞ୍ଚିଛି ଯେ ଉପଭୋକ୍ତାଙ୍କ ସମ୍ୱାଦ ବିମୁଖ ଆଚ଼ରଣ ସାମ୍ୱାଦିକତାର ଭବିଷ୍ୟତ ପ୍ରତି ପ୍ରଶ୍ନବାଚ଼ୀରୂପେ ଦଣ୍ଡାୟମାନ ହୋଇଛି ।

 

ମାର୍ଚ୍ଚ ୨୦୨୩ରେ ସାମ୍ୱାଦିକତାର ଭବିଷ୍ୟତ ସଂପର୍କରେ ଆଲୋଚ଼ନା ଉଦ୍ଦେଶ୍ୟରେ ଏହି ରଚ଼ନାରେ ଆନ୍ତର୍ଜାତିକସ୍ତରରେ ସାମ୍ୱାଦିକଙ୍କ ଆଭିମୁଖ୍ୟ ଆକଳନ କରିବା ନିମନ୍ତେ ଏକ ସର୍ବେକ୍ଷଣରେ ସଂଗୃହୀତ ତଥ୍ୟ ଏବଂ ଭେନେଜୁଆଲାରେ ମୁଦ୍ରଣ ଓ ଟେଲିଭିଜନ ସମ୍ୱାଦ ମଞ୍ଚ ପରିଚାଳନାରେ ଆର୍ଥିକ ଦୁରବସ୍ଥା ତଥା ସ୍ୱେଚ୍ଛାଚାରୀ ପ୍ରଶାସନଜନିତ କଟକଣାରୁ ବର୍ତ୍ତିବା ନିମନ୍ତେ ଡ଼ିଜିଟାଲ ମଞ୍ଚକୁ ଅପସାରଣ ଧାରା ବିଶ୍ଳେଷଣକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ।

 

ଯୁକ୍ତରାଷ୍ଟ୍ର ଆମେରିକାର ‘ମକ ରେକ’ ନାମକ ଏକ ଗଣମାଧ୍ୟମ ଓ ଲୋକସଂପର୍କ ଗବେଷଣା ତଥା ତାଲିମ ପ୍ରତିଷ୍ଠାନ ପକ୍ଷରୁ ‘ଷ୍ଟେଟ ଅଫ ଜର୍ଣ୍ଣାଲିଜମ ୨୦୨୩’ ଶୀର୍ଷକ ଏକ ବାର୍ଷିକ ବିବରଣୀ ମାର୍ଚ୍ଚ ୨୦୨୩ରେ ପ୍ରକାଶ ପାଇଥିଲା । ମୋଟ ୧୫ ଗୋଟି ସାମ୍ୱାଦିକ ସଂଗଠନର ସହାୟତାରେ ୨,୨୦୦ରୁ ଉର୍ଦ୍ଧ୍ୱ ସାମ୍ୱାଦିକତା ବୃତ୍ତିଧାରୀଙ୍କଠାରୁ ସଂଗୃହୀତ ତଥ୍ୟ ବିଶ୍ଳେଷଣ କରାଯାଇଥିଲା । ଜାନୁୟାରୀ ପହିଲା ୨୦୨୩ରୁ ୬ ଫେବୃୟାରୀ ୨୦୨୩ ମଧ୍ୟରେ ଆୟୋଜିତ ଏହି ସର୍ବେକ୍ଷଣରେ ମାର୍କିନ ସାମ୍ୱାଦିକଙ୍କ ସହ ୟୁରୋପ, ଏସିଆ ଓ ଆଫ୍ରିକାରେ କର୍ମଜୀବୀ ସାମ୍ୱାଦିକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ସେଥିରୁ ଜଣାଯାଇଥିଲା ଯେ ଦୁଇ ତୃତୀୟାଂଶ ସାମ୍ୱାଦିକ ନିଜ ନିଯୁକ୍ତି, ପ୍ରକାଶନ ମଞ୍ଚ ଓ ବୃତ୍ତିଗତ ଅର୍ଥନୀତିକ ଭବିଷ୍ୟତ ପ୍ରତି ସନ୍ଦୀହାନ । ଅର୍ଥାତ, ସେମାନେ କାର୍ଯ୍ୟରତ ସମ୍ୱାଦ ମଞ୍ଚ ମହାମାରୀ-ପର ଅର୍ଥନୀତିରେ ବଞ୍ଚି ରହିବ ନା ନାହିଁ, ସେମାନେ ନିଜେ ନିଯୁକ୍ତି ହରାଇବେ କି ନାହିଁ ତଥା ପ୍ରଚଳିତ ସାମ୍ୱାଦିକତା ମଞ୍ଚଗୁଡ଼ିକର ରୂପରେଖ ବଦଳିବ କି ନାହିଁ ଭଳି ପ୍ରଶ୍ନରେ ମାନସିକସ୍ତରରେ ଆନ୍ଦୋଳିତ ।

 

ବୃତ୍ତିଧାରୀ ସାମ୍ୱାଦିକମାନେ ନିଜ କର୍ମକ୍ଷେତ୍ର, ପ୍ରକାଶନ ଓ ବୃତ୍ତି ପ୍ରତି ଆଶଙ୍କା ପ୍ରକାଶ କଲେ ସେହି ପରିବେଶ ସାମ୍ୱାଦିକତାର ଗୁଣବତ୍ତା ହ୍ରାସ କରିବା ସ୍ୱାଭାବିକ । କିନ୍ତୁ ସମ୍ୱାଦ ମଞ୍ଚଗୁଡ଼ିକ ବିଘଟନର ଶୀକାର ହୋଇଥିବା ସ୍ଥଳେ ସାମ୍ୱାଦିକତାରେ ଗୁଣବତ୍ତା ବିକାଶ ହିଁ ସାମ୍ୱାଦିକତାକୁ ଆକର୍ଷଣୀୟ, ପ୍ରଭାବଶାଳୀ ଓ ସ୍ୱାବଲମ୍ୱୀ ଗଢ଼ି ତୋଳିବ । ସମ୍ୱାଦ ମଞ୍ଚଗୁଡ଼ିକରୁ ଉପଭୋକ୍ତା ଅପସରି ଯାଉଥିବା, ବିଶ୍ୱସନୀୟତା ହରାଉଥିବା ଏବଂ ପ୍ରଚାର-ସର୍ବସ୍ୱ ସ୍ତରକୁ ଖସି ଆସୁଥିବା ଅବସରରେ ୨୦୨୩ ଆରମ୍ଭ ସୁଦ୍ଧା ସାମ୍ୱାଦିକଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ସାମ୍ୱାଦିକତାର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଥିବା ପ୍ରତୀୟମାନ ହୋଇଥାଏ ।

 

ଏହି ସର୍ବେକ୍ଷଣରୁ ସୂଚ଼ିତ ହୋଇଥିଲା ଯେ ସମ୍ୱାଦ ମଞ୍ଚଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ସାମ୍ୱାଦିକ ନିଯୁକ୍ତି ନଥିବା ହେତୁ ପ୍ରତି କାର୍ଯ୍ୟରତ ସାମ୍ୱାଦିକଙ୍କ କାର୍ଯ୍ୟଭାର ୨୦ ପ୍ରତିଶତ ବଢ଼ିଯାଇଛି ଏବଂ ୩୩ ପ୍ରତିଶତ ଉଚ଼ିତ ଢଙ୍ଗରେ ସମ୍ୱାଦ ରଚନା ନିମନ୍ତେ ସମୟ ପାଉନାହାନ୍ତି । ଜଣେ ସମ୍ୱାଦଦାତାକୁ ସପ୍ତାହରେ ପାଞ୍ଚରୁ ଉର୍ଦ୍ଧ୍ୱ ସମ୍ୱାଦ ରଚନା କରିବାକୁ ପଡୁଥିବା ହେତୁ ଭରାକ୍ରାନ୍ତ । ସମସ୍ତ ସାମ୍ୱାଦିକ ସୋସିଆଲ ମିଡ଼ିଆରେ ସଂପୃକ୍ତ ଥିବା ସ୍ଥଳେ ଅର୍ଦ୍ଧେକ କହିଥିଲେ ଯେ ୨୦୨୩ରେ ‘ସର୍ଟ-ଭିଡ଼ିଓ’ ଫର୍ମାଟରେ ସମ୍ୱାଦ ପ୍ରସାର ଲୋକାଦୃତି ହାସଲ କରିବ । ‘ପଡ଼କାଷ୍ଟ’ ନିମନ୍ତେ ୨୫ ପ୍ରତିଶତ ଓ ‘ନିଉଜଲେଟର’ ନିମନ୍ତେ ୧୩ ପ୍ରତିଶତ ଆଶାବାଦୀ ଥିଲେ ।

 

ଦକ୍ଷିଣ ଆମେରିକାର ଉତ୍ତର ଊପକୂଳରେ କାରାବିଏନ ସାଗରରେ ଦ୍ୱୀପାଞ୍ଚଳ ସମୃଦ୍ଧ ଭେନେଜୁଆଲା ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଅର୍ଥନୀତିକ ଓ ପ୍ରଶାସନିକ ଦୁରବସ୍ଥା, ହିଂସା, ଦୁର୍ନୀତି ତଥା ଦେଶାନ୍ତର ଗମନଭଳି ସମସ୍ୟାରେ ଛନ୍ଦି ହୋଇ ପଡ଼ିଛି । ପାରମ୍ପରିକ ଭାବେ କଫି ଓ କୋକୋ ଭଳି କୃଷିଜାତ ଉତ୍ପାଦନ ରପ୍ତାନୀରେ ପ୍ରସିଦ୍ଧି ହାସଲ କରିଥିବା ଭେନେଜୁଆଲା ପରବର୍ତ୍ତୀ ପର୍ଯ୍ୟାୟରେ ତୈଳ ରପ୍ତାନୀକରି ବିତ୍ତଶାଳୀ ରାଷ୍ଟ୍ରରେ ପରିଣତ ହୋଇଥିଲା । କିନ୍ତୁ ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ ପରେ ଦେଶରେ ବ୍ୟାପକ ମୁଦ୍ରାସ୍ପୀତି ଜନଜୀବନକୁ ବ୍ୟତିବ୍ୟସ୍ତ କରିପକାଇଥିଲା । ସମକାଳୀନ ଅର୍ଥନୀତିକ ପ୍ରହେଳିକାର ଭେନେଜୁଆଲା ଏକ ଜ୍ୱଳନ୍ତ ଉଦାହରଣ ।

 

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ‘ରଏଟରର୍ସ ଇନଷ୍ଟିଟିଉଟ ଫର ଦି ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ପକ୍ଷରୁ ମାର୍ଚ୍ଚ ୨୦୨୩ ମଧ୍ୟଭାଗରେ ପ୍ରକାଶିତ ଏକ ରିପୋର୍ଟରେ ଭେନେଜୁଆଲାରେ ଅର୍ଥନୀତିକ, ରାଜନୀତିକ ଓ ସାମାଜିକ ଅସ୍ଥିରତା ହେତୁ ସୃଷ୍ଟ ପରିବେଶରେ ସମ୍ୱାଦ ମଞ୍ଚଗୁଡ଼ିକ ଡ଼ିଜିଟାଲ ରୂପାନ୍ତରିକରଣ ନିମନ୍ତେ ଉଦ୍ୟମ କରୁଥିବାର ବିଶଦ ବିବରଣୀ ସ୍ଥାନିତ ହୋଇଥିଲା । ସେଠାରେ ୨୦୧୩ରୁ ୨୦୨୨ ମଧ୍ୟରେ ମୁଖ୍ୟତଃ ଆର୍ଥିକ କାରଣରୁ ୬୦ ଗୋଟି ମୁଦ୍ରିତ ସମ୍ୱାଦପତ୍ରର ପ୍ରକାଶନ ବନ୍ଦ ହୋଇଯାଇଛି । ସେହିପରି ସରକାରୀ କାର୍ଯ୍ୟାନୁଷ୍ଠାନରେ ୨୦୦୩ରୁ ୨୦୨୨ ମଧ୍ୟରେ ୨୮୫ ଗୋଟି ରେଡ଼ିଓ ଷ୍ଟେସନ ପ୍ରସାରଣରୁ ହଟିଛନ୍ତି । କେବଳ ୨୦୨୨ ବର୍ଷକ ମଧ୍ୟରେ ୯୫ ଗୋଟି ବେତାର ସମ୍ୱାଦ ସଂସ୍ଥା ବନ୍ଦ ଲାଗି ସରକାର ଆଦେଶ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

 

ଭେନେଜୁଆଲା ଗଣମାଧ୍ୟମ ପରିସରରେ ମୁଦ୍ରଣ, ରେଡ଼ିଓ ଓ ଟେଲିଭିଜନ ସମ୍ୱାଦ ମଞ୍ଚଗୁଡ଼ିକ ମୁଖ୍ୟତଃ ଅର୍ଥନୀତିକ ଦୁରବସ୍ଥା ଓ ପ୍ରଶାସନିକ ଦମନମୂଳକ କାର୍ଯ୍ୟନୁଷ୍ଠାନ ହେତୁ ବନ୍ଦ ହୋଇ ଯାଉଥିବା ସ୍ଥଳେ ସ୍ଥାନୀୟ ସମ୍ୱାଦିକମାନେ ଡ଼ିଜିଟାଲ ମଞ୍ଚରେ ସ୍ୱାଧୀନ ସାମ୍ୱାଦିକତା ଆରମ୍ଭ କରିଛନ୍ତି । ତୃଣମୂଳସ୍ତରରେ ବ୍ୟକ୍ତିଗତ ଉଦ୍ୟମରେ ଅଣ-ପାରମ୍ପରିକ ଶୈଳୀରେ ସମ୍ୱାଦ ପ୍ରସାରଣ ଲୋକପ୍ରିୟତା ହାସଲ କରୁଛି । ବରିଷ୍ଠ ଓ ତାଲିମପ୍ରାପ୍ତ ସାମ୍ୱାଦିକମାନେ ଦେଶାନ୍ତର ଗମନ କରି ଭେନେଜୁଆଲା ସାମ୍ୱାଦିକତାକୁ ଡ଼ିଜିଟାଲ ମାଧ୍ୟମରେ ବଞ୍ଚାଇ ରଖିବା ନିମନ୍ତେ ଉଦ୍ୟମ କରୁଛନ୍ତି । ସରକାରଙ୍କ ପକ୍ଷରୁ ଇଣ୍ଟରନେଟ ସଟ-ଡ଼ାଉନ ଏବଂ ଡ଼ିଜିଟାଲ ମଞ୍ଚ ଯାଞ୍ଚ ବ୍ୟବସ୍ଥାରୁ ବର୍ତ୍ତିଯିବା ନିମନ୍ତେ ‘ଭିପିଏନ’ ଭଳି ଗୋପନୀୟ ଇଣ୍ଟରନେଟ ପଦ୍ଧିତି ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଆବଶ୍ୟ ଭେନେଜୁଆଲାରେ ସରକାରୀ ମାଲିକାନା ଓ ପ୍ରୋତ୍ସାହନରେ ମୁଦ୍ରିତ ସମ୍ୱାଦପତ୍ର, ରେଡ଼ିଓ ଓ ଟେଲିଭିଜନ ସାମ୍ୱାଦିକତା ମଧ୍ୟ ପ୍ରଚଳିତ ।

 

ଭେନେଜୁଆଲାର ଉଦାହରଣ ଅର୍ଥନୀତିକ ଦୁରବସ୍ଥା ଓ ସ୍ୱେଚ୍ଛାଚାରୀ ଶାସନତନ୍ତ୍ରର ବଳୟରେ ସାମ୍ୱାଦିକତାର ସଂଘର୍ଷର କାହାଣୀ ଆନ୍ତର୍ଜାତିକ ସାମ୍ୱାଦିକତାର ଭବିଷ୍ୟତର ସ୍ୱରୂପ ସଂପର୍କରେ ଦିଗଦର୍ଶନ ଦେଇଥାଏ । ଭେନେଜୁଆଲାରେ ଯେଉଁ ଅର୍ଥନୀତିକ, ରାଜନୀତିକ ଓ ସାମାଜିକ ସଂକଟ ଦୀର୍ଘ ବର୍ଷ ଧରି ଦେଖା ଦେଇଛି, ସେହି ପରିବେଶ ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରରେ ଊଣା-ଅଧିକେ ପ୍ରତିଫଳିତ । ଅତଏବ, ଭେନେଜୁଆଲା ସାମ୍ୱାଦିକତାରେ ଅନୁସୃତ ବିକଳ୍ପ ଧାରା ମଧ୍ୟ ଅନୁସରଣର ସମୟ ଉପନୀତ ହୋଇଥିବା ବିଚାର କାରାଯାଇପାରେ ।

 

ଭେନେଜୁଆଲା ବିକଳ୍ପ ସାମ୍ୱାଦିକତା ସଂପର୍କୀତ ‘ଦି ୱାଶିଂଟନ ପୋଷ୍ଟ’ ପ୍ରଯୋଜିତ ୟୁଟ୍ୟୁବ ବୃତ୍ତଚ଼ିତ୍ରର ଲିଙ୍କ :

 

https://youtube.com/watch?v=0faxtpWqHW0&feature=shares


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୭ ମାର୍ଚ୍ଚ ୨୦୨୩


ତଥ୍ୟ :


 

Muck Rack Survey : Two out of there journalists have been impacted by economic uncertainty

 

https://muckrack.com/blog/2023/03/15/state-of-journalism-2023

 

Forced out from print and airways, news media in Venezuela shift to digital to survive / Reuters Institute for the Study of Journalism.

 

https://reutersinstitute.politics.ox.ac.uk/news/forced-out-print-and-airwaves-news-media-venezuela-shift-digital-survive

ଫିକି ଏମ-ଏଣ୍ଡ-ଇ ରିପୋର୍ଟ ୨୦୨୩ 

‘ଫଡ଼ରେସନ ଅଫ ଇଣ୍ଡିଆନ ଚ୍ୟାମ୍ୱର ଅଫ କମର୍ସ ଏଣ୍ଡ ଇଣ୍ଡାଷ୍ଟୀଜ’ (ଫିକି) ଆନୁକୂଲ୍ୟରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଣିଜ୍ୟ ଗବେଷଣା ପ୍ରତିଷ୍ଠାନ ‘ଏରନେଷ୍ଟ ଏଣ୍ଡ ୟୁଙ୍ଗ’ ସହଯୋଗରେ ପ୍ରତିବର୍ଷ ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ଅନୁଶୀଳନ କରି ଏକ ରିପୋର୍ଟ ପ୍ରକାଶ ପାଇଥାଏ । ଏଥିରେ ବିଭିନ୍ନ ମଞ୍ଚର ସମକାଳୀନ ସ୍ଥିତାବସ୍ଥା ସଂପର୍କରେ ବଜାରଭିତ୍ତିକ ଅଧ୍ୟୟନରୁ ସଂଗୃହୀତ ତଥ୍ୟ ସହ ଅଭିବୃଦ୍ଧି ଲାଗି ବିଶେଷଜ୍ଞଙ୍କ ପରାମର୍ଶ ସଂକଳିତ ହୋଇଥାଏ । ‘ଫିକି’ ସୌଜନ୍ୟରେ ମୁମ୍ୱାଇଠାରେ ଅନୁଷ୍ଠିତ ‘ଫ୍ରେମ’ ଉତ୍ସବରେ ୩ ମେ’ ୨୦୨୩ରେ ‘ୱିଣ୍ଡୋସ ଅଫ ଅପରଚୁନିଟି-ଇଣ୍ଡିଆସ ମିଡ଼ିଆ ଏଣ୍ଡ ଏଣ୍ଟରଟେନମେଣ୍ଟ ମାକ୍ସିମାଇଜିଂ ଏକ୍ରସ ସେଗାମେଣ୍ଟସ’ ଶୀର୍ଷକ ରିପୋର୍ଟ ଉନ୍ମୋଚ଼ିତ ହୋଇଥିଲା ।

 

ରିପୋର୍ଟରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ୨୦୨୨ରେ ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପର ଉଲ୍ଲେଖନୀୟ ଅଗ୍ରଗତି ଘଟିଥିଲା । ସାମଗ୍ରୀକଭାବେ ୨୦୨୨ରେ ଅଭିବୃଦ୍ଧି ହାର ୨୦ ପ୍ରତିଶତ ରହିଥିବା ସ୍ଥଳେ ମହାମାରୀ-ପୂର୍ବ ୨୦୧୯ ପରିସଂଖ୍ୟାନ ତୁଳନାରେ ୧୦ ପ୍ରତିଶତ ଅଧିକ । ସାଧାରଣରେ ଏହି ତଥ୍ୟ ଉତ୍ସାହପ୍ରଦ । ମହାମାରୀରେ ପାରମ୍ପରିକ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ସ୍ଥଳେ ମହାମାରୀ-ପର ଅବସ୍ଥାରେ ଅଭିବୃଦ୍ଧି ହାର ନେଇ ଅଧିକାଂଶ ଚ଼ିନ୍ତିତ ଥିଲେ । ତେବେ ୨୦୧୯ ତୁଳନାରେ ୨୦୨୨ରେ ଅଭିବୃଦ୍ଧି ସେହି ସନ୍ଦେହକୁ ଦୂରେଇ ଦେଲା ।

 

ରିପୋର୍ଟରେ କୁହାଯାଇଛି ଯେ ୨୦୨୩ରେ ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ରହିବ ଏବଂ ୨୦୨୫ ଯାଏଁ ‘କମ୍ପାଉଣ୍ଡ ଆନୁଆଲ ଗ୍ରୋଥ ରେଟ’ ବାର୍ଷିକ ଦଶ ପ୍ରତିଶତ ଅଭିବୃଦ୍ଧି ଆଶା କରାଯାଉଛି । ଗଣମାଧ୍ୟମରେ ଡ଼ିଜିଟାଲ ମଞ୍ଚରେ ସର୍ବାପେକ୍ଷା ୨୭ ପ୍ରତିଶତ ଅଭିବୃଦ୍ଧି ୨୦୨୨ରେ ହିସାବ କରାଯାଇଛି । ୨୦୧୯ରେ ଏହି ଅଭିବୃଦ୍ଧି ୧୬ ପ୍ରତିଶତ ରହିଥିଲା । ଡ଼ିଜିଟାଲ ମଞ୍ଚରେ ୨୦୨୨ରେ ବିଜ୍ଞାପନ ଆୟ ୩୦ ପ୍ରତିଶତ ଓ ଗ୍ରାହକ ଦେୟ ଆୟ ‘ସବସ୍କ୍ରିପସନ୍ସ’ ୨୭ ପ୍ରତିଶତ ଅଭିବୃଦ୍ଧି ଘଟିଥିଲା ।

 

ଭାରତୀୟ ଗଣମାଧ୍ୟମ ପୃଷ୍ଠଭୂମିରେ ଓଡ଼ିଶାରେ ମୁଦ୍ରଣ ଗଣମାଧ୍ୟମ, ମୁଖ୍ୟତଃ ସମ୍ୱାଦପତ୍ର ପ୍ରଭାବଶାଳୀ । ‘ଫିକି’ ରିପୋର୍ଟ ଅନୁଯାୟୀ ସର୍ବଭାରତୀୟସ୍ତରରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପରେ ୨୦୨୨ରେ ୧୦ ପ୍ରତିଶତ ଅଭିବୃଦ୍ଧି ହିସାବ କରାଯାଇଥିଲା । ସମ୍ୱାଦପତ୍ରଗୁଡ଼ିକ ମହାମାରୀ-ପୂର୍ବ ୨୦୧୯ର ସ୍ଥିତିରେ ପ୍ରାୟ ୮୫ ପ୍ରତିଶତ ପହଞ୍ଚିସାରିଥିଲେ । ଅପରପକ୍ଷେ ପତ୍ରପତ୍ରିକା କ୍ଷେତ୍ରରେ ମାତ୍ର ଦୁଇ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା ।

 

ଓଡ଼ିଶାରେ ପତ୍ରପତ୍ରିକା ପ୍ରକାଶନ କ୍ଷେତ୍ରରେ ଏହି ସ୍ଥିତାବସ୍ଥା ବେଶ ପ୍ରତିବିମ୍ୱିତ । ଡ଼ିଜିଟାଲ ମଞ୍ଚର ବିକାଶ ପରେ ଉପଭୋକ୍ତା ସୋସିଆଲ ମିଡିଆ ଓ ଅନଲାଇନ ମଞ୍ଚଗୁଡ଼ିକ ଅତିକ୍ରମ କରିସାରିବା ପରେ ଭିନ୍ନ ଅନୁଭୂତି ନିମନ୍ତେ ମୁଦ୍ରିତ ମଞ୍ଚଗୁଡ଼ିକରେ ପହଞ୍ଚିବେ । ସେହି ଦୃଷ୍ଟିରୁ ପତ୍ରପତ୍ରିକାର ଉନ୍ନତ ଭବିଷ୍ୟତ ଆଶା କରାଯାଉଥିଲେ ମଧ୍ୟ ବିଧିବଦ୍ଧ ଉଦ୍ୟମ ଅଭାବରୁ ଓଡ଼ିଆ ପତ୍ରପତ୍ରିକା ପଛରେ ପଡ଼ିରହୁଥିବା ଦୁର୍ଭାଗ୍ୟଜନକ ।

 

ଉପଭୋକ୍ତାଙ୍କ ଗଣମାଧ୍ୟମ ମଞ୍ଚ ଆହରଣ ଅଭ୍ୟାସ ଅନୁଧ୍ୟାନ ନିମନ୍ତେ ‘ଏରନେଷ୍ଟ ଏଣ୍ଡ ୟୁଙ୍ଗ’ ପକ୍ଷରୁ ‘ଆନନ୍ଦ ବଜାର ପତ୍ରିକା’ ସହଯୋଗରେ ୨,୨୫୦ ଜଣ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ଗହଣରେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ପ୍ରାୟ ୯୦ ପ୍ରତିଶତ ଅଂଶଗ୍ରହଣକାରୀ ପ୍ରତିଦିନ ସମ୍ୱାଦ ଆହରଣ କରୁଥିବା ସୂଚ଼ନା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ଦିନକୁ ଥରେ ମାତ୍ର ସମ୍ୱାଦ ପଢ଼ା ବା ଦେଖାରେ ସୀମିତ ରହୁଥିବା ବେଳେ ୬୧ ପ୍ରତିଶତ ଦିନରେ ବହୁବାର ସଂପୃକ୍ତ ରହୁଥିଲେ । ସର୍ବାଧିକ ୪୩ ପ୍ରତିଶତ ଦୈନିକ ୩୦ ମିନଟ ସମ୍ୱାଦ ଆହରଣରେ ସମୟ ବିନିଯୋଗ କରୁଥିବା ସ୍ଥଳେ ୨୦ ରୁ ୩୦ ମିନଟ ୨୧ ପ୍ରତିଶତ, ୧୦ ରୁ ୨୦ ମିନଟ ୨୦ ପ୍ରତିଶତ ଓ ୧୦ ମିନଟ ୧୬ ପ୍ରତିଶତ ହିସାବ କରାଯାଇଥିଲା ।

 

ସୋସିଆଲ ମିଡ଼ିଆରେ ୮୦ ପ୍ରତିଶତ, ଟେଲିଭିଜନର ନ୍ୟୂଜ ଚ୍ୟାନେଲରେ ୫୮ ପ୍ରତିଶତ, ସମ୍ୱାଦପତ୍ରରେ ୫୪ ପ୍ରତିଶତ ଓ ଅନଲାଇନ ସମ୍ୱାଦ ମଞ୍ଚରେ ୫୪ ପ୍ରତିଶତ ସମ୍ୱାଦ ପଢୁଥିଲେ କିମ୍ୱା ଦେଖୁଥିଲେ । ବୟସ୍କମାନେ ଟେଲିଭିଜନ ଓ ସମ୍ୱାଦପତ୍ରକୁ ସମ୍ୱାଦ ଉତ୍ସଭାବେ ବ୍ୟବହାର କରୁଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ସମ୍ୱାଦ ପାଇଁ ଉଭୟ ବୟସ୍କ ଓ ଯୁବ ସମ୍ପ୍ରଦାୟର ଭିଡ଼ ଲାଗି ରହୁଥିଲା ।

 

ପ୍ରାୟ ୫୦ ପ୍ରତିଶତଙ୍କ ଘରକୁ ସମ୍ୱାଦପତ୍ର ଆସେ । ବୟସ୍କ ପାଠକଙ୍କ ସଂଖ୍ୟା ୫୭ ପ୍ରତିଶତ ଥିବା ସ୍ଥଳେ ଯୁବ ସମ୍ପ୍ରଦାୟଙ୍କ ସଂଖ୍ୟା ୪୩ ପ୍ରତିଶତ । ଟେଲିଭିଜନରେ ୩୫ ପ୍ରତିଶତ ଅଧଘଣ୍ଟା ଯାଏଁ ସମ୍ୱାଦ ଦେଖୁଥିବା ବେଳେ ୨୯ ପ୍ରତିଶତ ସୋସିଆଲ ମିଡ଼ିଆ ଓ ୨୦ ପ୍ରତିଶତ ସମ୍ୱାଦପତ୍ର ଅଧଘଣ୍ଟା ପଢ଼ନ୍ତି । ଅନଲାଇନରେ ୟୁଟ୍ୟୁବ ଓ ଗୁଗୁଲରେ ୬୯ ପ୍ରତିଶତ ସମ୍ୱାଦ ପଢୁଥିବା ସ୍ଥଳେ ୫୬ ପ୍ରତିଶତ ଫେସବୁକ ଓ ୪୭ ପ୍ରତିଶତ ହ୍ୱାଟସଆପ ଆପରେ ସମ୍ୱାଦ ପଢ଼ନ୍ତି କିମ୍ୱା ଦେଖନ୍ତି ।

 

ସମ୍ୱାଦପତ୍ରରେ ବିଜ୍ଞାପନ ପ୍ରକାଶନରେ ହିନ୍ଦି ସର୍ବାଧିକ ୩୮ ପ୍ରତିଶତ ଓ ଇଂଲିଶ ୨୬ ପ୍ରତିଶତ ସ୍ଥାନ ଅଧିକାର କରନ୍ତି । ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକ ଦୁଇ ପ୍ରତିଶତ ବିଜ୍ଞାପନ ପ୍ରକାଶନ ଦାବୀ କରୁଥିଲେହେଁ ସମ୍ୱାଦପତ୍ର କ୍ଷେତ୍ରରେ ଦୁଇ ଅଗ୍ରଣୀ ରାଜ୍ୟ କେରଳରେ ତିନି ପ୍ରତିଶତ ଏବଂ ବଙ୍ଗଳାରେ ଏକ ପ୍ରତିଶତ ୨୦୨୨ରେ ଆୟୋଜିତ ଗବେଷଣାରୁ ଜଣାଯାଏ । ଅବଶ୍ୟ ପତ୍ରିକା କ୍ଷେତ୍ରରେ ଇଂଲିଶ ୪୫ ପ୍ରତିଶତ, ମାଳାୟଳମ ୧୧ ପ୍ରତିଶତ, ହିନ୍ଦୀ ନଅ ପ୍ରତିଶତ, ଗୁଜରାଟୀ ଆଠ ପ୍ରତିଶତ, ତାମିଲ ସାତ ପ୍ରତିଶତ ଓ ବଙ୍ଗଳା ଛଅ ପ୍ରତିଶତ ଦାବୀ କରନ୍ତି । ଏଠାରେ ଓଡ଼ିଆ ପତ୍ରିକାର ସ୍ଥିତି ନୈରାଶ୍ୟଜନକ ।

 

ସମ୍ୱାଦପତ୍ର ପ୍ରସାର କ୍ଷେତ୍ରରେ ୨୦୨୨ ବର୍ଷରେ ମହାମାରୀ-ପୂର୍ବ ୨୦୧୯ ତୁଳନାରେ ଇଂଲିଶରେ ୪୦ ପ୍ରତିଶତ, ହିନ୍ଦିରେ ୨୦ ପ୍ରତିଶତ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ପ୍ରକାଶିତ ସମ୍ୱାଦପତ୍ର ୨୧ ପ୍ରତିଶତ କମ ରହିଥିଲା । ମୋଟାମୋଟି ଭାବେ ସମ୍ୱାଦପତ୍ର ପ୍ରସାର ସଂଖ୍ୟା ୨୦୨୨ରେ ପାଞ୍ଚ ପ୍ରତିଶତ ଅଭିବୃଦ୍ଧି ଘଟିଥିଲା । ମହାମାରୀ-ପୂର୍ବ ୨୦୧୯ ତୁଳନାରେ ସମ୍ୱାଦପତ୍ରଗୁଡ଼ିକର ଗ୍ରାହକଚାନ୍ଦା ଆୟରେ ପ୍ରାୟ ୮୯ ପ୍ରତିଶତ ସୁଧାର ଆସିଯାଇଥିଲା । ବହୁ ସମ୍ୱାଦପତ୍ର ବିକ୍ରୀ ମୂଲ୍ୟ ବୃଦ୍ଧି କରିଥିଲେ ।

 

ଫିକି ଏମ-ଏଣ୍ଡ-ଇ ରିପୋର୍ଟ ୨୦୨୩ରେ ଗଣମାଧ୍ୟମ ଶିଳ୍ପର ଅଭିବୃଦ୍ଧି ନିମନ୍ତେ କେତେକ ପରାମର୍ଶ ପ୍ରକାଶିତ । ମୁଦ୍ରିତ ଗଣମାଧ୍ୟମ ମଞ୍ଚ, ମୁଖ୍ୟତଃ ସମ୍ୱାଦପତ୍ରଗୁଡ଼ିକୁ ପ୍ରଥମତଃ, ସମାଜର ଶିକ୍ଷିତ ଓ ଆର୍ଥିକ ଦିଗରୁ ସ୍ୱଚ୍ଛଳ ପାଠକବର୍ଗଙ୍କ ନିକଟତର ହେବା ନିମନ୍ତେ ବିଧିବଦ୍ଧ ଯୋଜନା ପ୍ରସ୍ତୁତ ତଥା ରୂପାୟନ ନିମନ୍ତେ ଗୁରୁତ୍ୱ ଦିଆ ଯାଉଛି । ଏହାର ମୁଖ୍ୟ କାରଣ ହେଲା ମୁଦ୍ରିତ ସମ୍ୱାଦପତ୍ରର ଗ୍ରାହକ ଅନୁଶୀଳନରେ ସେହିମାନେ ହିଁ ପ୍ରମୁଖ ସ୍ଥାନ ଅଧିକାର କରିଥାନ୍ତି ।

 

ଏତଦ୍ ବ୍ୟତୀତ ଜାତୀୟ ବିଜ୍ଞାପନ ପ୍ରକାଶନ ଧାରାରେ ଗଭୀର ସ୍ଥାନୀୟ ‘ହାଇପର ଲୋକାଲ’ସ୍ତର ଭେଦ  ନିମନ୍ତେ ସମ୍ୱାଦପତ୍ରକୁ ଚ଼ୟନ କରାଯାଉଥିବା ସ୍ଥଳେ ଘରକରଣା ସାମଗ୍ରୀ, ମଟରଗାଡ଼ି, ନିର୍ମାଣ ଉଦ୍ୟୋଗ, ଫେସନ ଓ ଶିକ୍ଷା ଭଳି ବିଜ୍ଞାପକ ସମାଜର ସ୍ୱଚ୍ଛଳ ବର୍ଗଙ୍କ ନିକଟରେ ପହଞ୍ଚିବାକୁ ଚାହିଁବେ । ପ୍ରକାଶନଲାଗି ବିଜ୍ଞାପନ ବିତରଣ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା ଭଳି ପ୍ରଯୁକ୍ତି କୌଶଳ ପ୍ରୟୋଗ ଦ୍ୱାରା କେବଳ ଡ଼ିଜିଟାଲ ମଞ୍ଚ କାହିଁକି ମୁଦ୍ରିତ ଗଣମାଧ୍ୟମର ଉପଭୋକ୍ତା ବର୍ଗୀକରଣ ସହଜସାଧ୍ୟ ହେବା ନିଶ୍ଚିତ । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ସମ୍ୱାଦପତ୍ରଗୁଡ଼ିକ ସମାଜର ଉଚ୍ଚବର୍ଗଙ୍କ ନିମନ୍ତେ ପ୍ରଯୋଜନା କରାଯାଇପାରିଲେ ବାର୍ଷିକ ଚାରି ପ୍ରତିଶତ ଯାଏଁ ଅଭିବୃଦ୍ଧି ସମ୍ଭବ ।

 

ଦ୍ୱିତୀୟତଃ, ସମ୍ୱାଦପତ୍ର ଶିଳ୍ପରେ ୯୦ ପ୍ରତିଶତ ଆୟ ମୂଳ ସମ୍ୱାଦପତ୍ରରୁ ବିଜ୍ଞାପନ ଓ ଗ୍ରାହକଚାନ୍ଦା ବାବଦରେ ସଂଗୃହୀତ ହେଉଥିବା ହେତୁ ସମ୍ୱାଦପତ୍ର ଅବୟବର ଉନ୍ନତି ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଅର୍ଥାତ, ଭଲ କାଗଜ, ଭଲ ଛାପା, ଭଲ ଅଙ୍ଗସଜ୍ଜା ସାଙ୍ଗକୁ ସମ୍ୱାଦ ଓ ଅଭିମତ ପରିବେଷଣରେ ଉତ୍କର୍ଷ ସମୟର ଆହ୍ୱାନ । ମୂଳ ସମ୍ୱାଦ ସୋସିଆଲ ମିଡ଼ିଆ ଓ ଟେଲିଭିଜନରୁ ପାଇସାରିଥିବା ସ୍ଥଳେ ପରଦିନ ସକାଳେ ବିଶ୍ଳେଷଣ, ଅଭିମତ ଓ ଅନୁସନ୍ଧାନ ନିମନ୍ତେ ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରେ ପାଠକ ପହଞ୍ଚିବେ । ଓଡ଼ିଆ ସମ୍ୱାଦପତ୍ରମାନେ ବିଶ୍ଳେଷଣ ‘ଏକ୍ସପ୍ଳେନର’, ଅଭିମତ ‘ଓପିନିୟନ’ ଓ ଅନୁସନ୍ଧାନ ‘ଇନଭେଷ୍ଟିଗେସନ’ ଦିଗଗୁଡ଼ିକୁ ଶକ୍ତିଶାଳୀ କରିବା ନିମନ୍ତେ ଉଦ୍ୟମ କରିବା ବାଞ୍ଛନୀୟ ।

 

ତୃତୀୟତଃ, ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ଉତ୍ସବାନୁଷ୍ଠାନ ଆୟୋଜନରେ ପାଠକ ସଂପୃକ୍ତି ଓ କମ ବୟସ୍କ ପାଠକଙ୍କୁ ଯୋଡ଼ିବା ନିମନ୍ତେ ଉଦ୍ୟମ କରିବାକୁ ପଡ଼ିବ । ଓଡ଼ିଆ ସମ୍ୱାଦପତ୍ର କ୍ଷେତ୍ରରେ କାଁ ଭାଁ ଏହି ଉଦ୍ୟମ ଆରମ୍ଭ ହୋଇଥିଲେହେଁ ସମ୍ୱାଦପତ୍ର ପାଠକଙ୍କ ଉପରେ ଲକ୍ଷ୍ୟବଦ୍ଧ ନୁହ । ଉତ୍ସବାନୁଷ୍ଠାନ ମାଧ୍ୟମରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୋଷ୍ଠୀର ନେତୃବର୍ଗଙ୍କୁ ଆକୃଷ୍ଟ କରାଇବା ସ୍ୱାଗତଯୋଗ୍ୟ, କିନ୍ତୁ ଗ୍ରାହକଚାନ୍ଦା ବଦଳରେ କେବଳ ବିଜ୍ଞାପନ ଆୟରେ ସମ୍ୱାଦପତ୍ରକୁ ବଞ୍ଚାଇ ରଖିବା ଯୁଗ ସରିଆସିଥିବା ସମସ୍ତେ ହୃଦୟଙ୍ଗମ କଲେଣି । ତେଣୁ ଉତ୍ସବାନୁଷ୍ଠାନ ଆୟୋଜନ ମାଧ୍ୟମରେ ସ୍ଥାନୀୟ ସ୍ତରରେ କିପରି ଅନୁଗତ ପାଠକ ଗୋଷ୍ଠୀଙ୍କୁ ବାନ୍ଧି ରଖାଯାଇପାରିବ ସେଦିଗରେ ଉଦ୍ୟମ କରିବାର ବେଳ ଉପନୀତ । ଫିକି ଆନୁକୂଲ୍ୟରେ ପ୍ରକାଶିତ ଏମ-ଏଣ୍ଡ-ଇ ରିପୋର୍ଟ ୨୦୨୩ର ପରାମର୍ଶଗୁଡ଼ିକ ବାସ୍ତବାମୁଖୀ ବିଚାର କରାଯାଏ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ ୨୦୨୩


ତଥ୍ୟ :


 

Windows of opportunity : India’s media & entertainment sector – maximizing across segments. April 2023

 

https://www.ficci-frames.com>reports.html

ପ୍ରସ୍ତୁତ, ଅପ୍ରସ୍ତୁତ ସମ୍ୱାଦ ଶିଳ୍ପ 

କ୍ୟାଲେଣ୍ଡର ବର୍ଷ ଆରମ୍ଭରେ ବୃହତ ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନର ପ୍ରମୁଖ ନେତୃବର୍ଗ ନିକଟ ଭବିଷ୍ୟତ ନିମନ୍ତେ ଆନୁଷ୍ଠାନିକ ଦୃଷ୍ଟିଭଙ୍ଗୀ କର୍ମଚାରୀ ଓ ସହଯୋଗୀଙ୍କ ମଧ୍ୟରେ ପ୍ରସାର କରିଥାନ୍ତି । ଏତଦ୍ୱାରା ପରବର୍ତ୍ତୀ ବର୍ଷକ ମଧ୍ୟରେ କେଉଁ ବିଷୟଗୁଡ଼ିକୁ ମାଲିକାନା ପକ୍ଷରୁ ଗୁରୁତ୍ୱ ଦିଆଯିବ, ସେ ସଂପର୍କରେ ସମସ୍ତେ ଅବଗତ ହୋଇଥାନ୍ତି ଏବଂ ତଦ୍ଅନୁଯାୟୀ କାର୍ଯ୍ୟପନ୍ଥା ପ୍ରଯୋଜନା ଲାଗି ଧ୍ୟାନ ଦିଆଯାଏ । ଦେଶର ଅସଂଖ୍ୟ ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଭିଡ଼ରେ ‘ଟାଟା ସନ୍ସ’ର ସ୍ଥାନ ନିଆରା । ନବବର୍ଷ ୨୦୨୪ ଅବ୍ୟବହିତ ପୂର୍ବରୁ ଟାଟା ସନ୍ସର ଅଧ୍ୟକ୍ଷ ଉଲ୍ଲେଖ କରିଥିଲେ ଯେ ବିଶ୍ୱବ୍ୟାପୀ ବିଦାୟୀ ୨୦୨୩ ବିଭିନ୍ନ ଦୃଷ୍ଟିରୁ ବିଷମ ପରିସ୍ଥିତି ଦେଇ ଗତି କରିଥିଲା ଏବଂ ୨୦୨୪ରେ ବିଘଟନର ଧାରା ଅବ୍ୟାହତ ରହିବା ଅନୁମାନ କରାଯାଉଥିବା ହେତୁ ସମ୍ଭାବ୍ୟ ପରିବେଶର ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ପଡ଼ିବ ।

 

ଟାଟା ସନ୍ସ ଅଧ୍ୟକ୍ଷ ବିଭିନ୍ନ ଭୌଗଳିକ ପରିସୀମାରେ ଯୁଦ୍ଧର ଘନଘଟା ଓ ରାଜନୀତିକ ଅସ୍ଥିରତା, ପ୍ରଯୁକ୍ତି କ୍ଷେତ୍ରରେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ପ୍ରସାର ଓ ସ୍ୱାବଲମ୍ୱୀ ଅର୍ଥନୀତି ଅକ୍ତିଆର ଲାଗି ଉଦ୍ୟମ – ତିନିଗୋଟି ପ୍ରବାହ ପ୍ରତି ଗୁରୁତ୍ୱାରୋପ କରିଥିଲେ । ତାଙ୍କରି ମତରେ ବ୍ୟବସାୟ ପରିଚାଳନା, ଉପଭୋକ୍ତା ସନ୍ତୁଷ୍ଟି ଓ ନବବିକଶିତ ବୈଷୟିକ କୌଶଳ ଉପଯୋଗ ଯେକୌଣସି ବ୍ୟବସାୟ ସଫଳତାରେ ଅଂଶୀଦାର ପାଲଟିବ । ଉଲ୍ଲେଖ କରିବା ବାହୁଲ୍ୟ ଯେ ଟାଟା ସନ୍ସଙ୍କ ଦୃଷ୍ଟିକୋଣ ଅନ୍ୟାନ୍ୟ ବହୁ ବ୍ୟବସାୟ ମଧ୍ୟରେ ଗଣମାଧ୍ୟମ ଶିଳ୍ପ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ।

 

କୋଭିଡ଼-୧୯ ମହାମାରୀ ଅବସରରେ ଦୁଇ ବର୍ଷ ଧରି ଗଣମାଧ୍ୟମ ମଞ୍ଚଗୁଡ଼ିକ ଦୁର୍ଦ୍ଦଶାଗ୍ରସ୍ତ ହେବା ପରେ ୨୦୨୩ରୁ ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ନିଜ ସ୍ଥିତି ଜାହିର କରିବା ନିମନ୍ତେ ଉଦ୍ୟମରତ । ଏହି ପ୍ରକ୍ରିୟା ତିନି ବର୍ଷ, ଅର୍ଥାତ ୨୦୨୫ ଯାଏଁ ବଳବତ୍ତର ରହିପାରେ । ଇତ୍ୟବସରରେ ଯେଉଁ ମଞ୍ଚଗୁଡ଼ିକ ନିଜକୁ ଯୁଗଉପଯୋଗୀ ରୂପେ ଗଢ଼ି ତୋଳିବା ନିମନ୍ତେ ସକ୍ଷମ ହେବେ, ସେଇମାନେହିଁ ତିଷ୍ଠିବେ ।

 

ଉପସ୍ଥିତ ବ୍ୟବସାୟର ସଫଳ ପରିଚାଳନା ସହ ଅକାମୀ ତତ୍ତ୍ୱ ପରିହାର ଓ ନୂତନତ୍ୱ ଆହରଣ ଜରୁରୀ । କାରଣ ନୂତନ ସୃଜନ ଓ ପ୍ରଯୁକ୍ତି କୌଶଳ ଉପଯୋଗ ନିମନ୍ତେ ପ୍ରଚଳିତ ଢ଼ାଞ୍ଚାରେ ସ୍ଥାନ ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ । ଗତାନୁଗତିକତା ଆଧୁନିକତାର ପରିପନ୍ଥୀ ଏବଂ ଏହି କ୍ଷେତ୍ରରେ ସଂଶୋଧନ ଏକ ସ୍ୱାଭାବିକ ପ୍ରକ୍ରିୟା ରୂପେ ପରିଗଣିତ ହେବା ଆବଶ୍ୟକ ।

 

ପରିବର୍ତ୍ତିତ ପରିବେଶରେ ଗଣମାଧ୍ୟମ ଉପଭୋକ୍ତଙ୍କ ରୁଚ଼ି ଦୃତ ପରିବର୍ତ୍ତନଶୀଳ ଥିବା ଏବଂ ଗଣମାଧ୍ୟମ ମଞ୍ଚଗୁଡ଼ିକୁ ଅଣ-ଗଣମାଧ୍ୟମ ମଞ୍ଚ ସହ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡୁଥିବା ହେତୁ ପ୍ରତ୍ୟେକ ଗଣମାଧ୍ୟମ ମଞ୍ଚ ନିମନ୍ତେ ଉପଭୋକ୍ତା ତୃଷ୍ଟିକରଣକୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ । ସେହିପରି ସୃଜନ କୃତ୍ରିମ ବୁଦ୍ଧିମତ୍ତା ଅନ୍ୟାନ୍ୟ ଶିଳ୍ପ ତୁଳନାରେ ଗଣମାଧ୍ୟମ ଶିଳ୍ପରେ ବିକଶିତରାଷ୍ଟ୍ର ଗୁଡ଼ିକରେ ୨୦୨୩ରେ ବ୍ୟାପକ ପ୍ରଭାବ ବିସ୍ତାର କରିସାରିଥିବା ସ୍ଥଳେ ଭାରତରେ ୨୦୨୪ରେ ମୂଳସ୍ରୋତରେ ସାମିଲ ହେବା ସଂଭାବନାକୁ ଏଡ଼ାଇ ଦେଇହେବ ନାହିଁ ।

 

‘ଟାଟା କନସଲଟନ୍ସି ସର୍ଭିସେସ’ରେ ଛଅ ଲକ୍ଷ କର୍ମଚାରୀ କର୍ମରତ । ପରିଚାଳନା ନିର୍ଦ୍ଦେଶକ କର୍ମଚାରୀମାନଙ୍କୁ ଇ-ମେଲ ଯୋଗେ ନବବର୍ଷ ଅଭିନନ୍ଦନ ଜଣାଇ ଉଲ୍ଲେଖ କରିଥିଲେ ଯେ ଉପଭୋକ୍ତାମାନେ ବିଭିନ୍ନ ପ୍ରତିଷ୍ଠାନର ବ୍ୟାବସାୟିକ ସେବାର ବିଶ୍ୱାସଭାଜନ ପାଲଟିଥାନ୍ତି । ଉପଭୋକ୍ତା ଆଶା ଆକାଂକ୍ଷାକୁ ଚ଼ରିତାର୍ଥ କରିବାରେ ବ୍ୟାବସାୟିକ ପ୍ରତିଷ୍ଠାନ ମଞ୍ଚଗୁଡ଼ିକ ଯତ୍ନଶୀଳ ହେବା ଅପରିହାର୍ଯ୍ୟ ।

 

ଟିସିଏସ ପରିଚାଳନା ନିର୍ଦ୍ଦେଶକ ସୂଚ଼ିତ କରିଥିଲେ ଯେ ଉପଭୋକ୍ତା-କେନ୍ଦ୍ରୀକ ହେବା ନିମନ୍ତେ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକୁ ପରିବର୍ତ୍ତନ ସହ ତାଳ ରଖିବାକୁ ପଡ଼ିବ । ଅର୍ଥାତ, ନୂଆ ବୈଷୟିକ କୌଶଳ ଶିଖିବା ଓ ସୃଜନ ପ୍ରତିଭାଧରଙ୍କୁ ସାମିଲକରିବା ପ୍ରତ୍ୟେକ ଗଣମାଧ୍ୟମ ମଞ୍ଚ ଯତ୍ନବାନ ହେବା ଜରୁରୀ । ଟିସିଏସରେ ନିଯୁକ୍ତ ଛଅ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ଏକ ଲକ୍ଷ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗାତ୍ମକ ପ୍ରକଳ୍ପଗୁଡ଼ିକରେ ନିଯୁକ୍ତ । ତଥାପି ପ୍ରତିଷ୍ଠାନ ପକ୍ଷରୁ ନୂତନ ପ୍ରଯୁକ୍ତି କୌଶଳ ଆୟତ୍ତ କରିବା ନିମନ୍ତେ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ପୁନଃବିନ୍ୟାସକୁ ଅଗ୍ରାଧିକାର ଦିଆଯାଉଛି । ଏହି ଉଦାହରଣରୁ ପ୍ରତ୍ୟେକ ଗଣମାଧ୍ୟମ ମଞ୍ଚ ଶିଖିବାର ଅଛି ।

 

ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ରଏଟର ଇନଷ୍ଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ପକ୍ଷରୁ ନୂତନ ବର୍ଷ ଦିଗଦର୍ଶନରେ ପୂର୍ବ ବର୍ଷ ୨୦୨୩ରେ ବିଭିନ୍ନ ଗବେଷଣାରୁ ଲବ୍ଧ କେତେକ ବିଷୟ ପ୍ରତି ଗୁରୁତ୍ୱାରୋପ କରାଯାଇଛି । ପ୍ରଥମତଃ, ସମ୍ୱାଦ ଉପଭୋକ୍ତାମାନେ ସୋସିଆଲ ମିଡ଼ିଆ ଓ ସର୍ଚ୍ଚଇଞ୍ଜିନ ଉପଯୋଗରେ ପ୍ରକାଶିତ ସମ୍ୱାଦଠାରେ ପହଞ୍ଚୁଛନ୍ତି । ବିଶ୍ୱବ୍ୟାପୀ ସମ୍ୱାଦ ପ୍ରସାରଣ ଡ଼ିଜିଟାଲ ମୁହାଁ ହୋଇଚାଲିଥିବା ଅବସରରେ ଅନଲାଇନ ସହ ଅଫ-ଲାଇନର ସମ୍ୱାଦ କିପରି ସୋସିଆଲ ମିଡ଼ିଆ ଓ ସର୍ଚ୍ଚ ଇଞ୍ଜିନରେ ଗୁରୁତ୍ୱଲାଭ କରିପାରିବ ସେହି ଦିଗରେ ରଣନୀତି ଆବଶ୍ୟକ କରେ ।

 

ଦ୍ୱିତୀୟତଃ, ଦେଖିବାକୁ ମିଳିଛି ଯେ ଏଣିକି ଉପଭୋକ୍ତାଗଣ ପ୍ରକାଶିତ ସମ୍ୱାଦ ସଂପର୍କରେ ଟିପ୍ପଣୀ ‘କମେଣ୍ଟ’ ପ୍ରଦାନ ନିମନ୍ତେ ପଛଘୁଞ୍ଚା ଦେଉଛନ୍ତି । ଏକପକ୍ଷରେ ଏହି ଅଭ୍ୟାସ ସମ୍ୱାଦ ବିମୁଖ ପରିବେଶର ସୂଚ଼ନା ଦେଉଥିବା ସ୍ଥଳେ ରାଜନୀତିକ ଧୃବୀକରଣ ପରେ ସାଧାରଣ ନାଗରିକ ନିଜ ରାଜନୀତିକ ଉପଲବ୍ଧି ସର୍ବସାଧାରଣରେ ପ୍ରକାଶ କରିବାକୁ ଅମଙ୍ଗ ହେଉଥିବା ବିଶ୍ୱାସ କରାଯାଇପାରେ । ତେବେ ସାମଗ୍ରିକଭାବେ ଏହା ଗଣତାନ୍ତ୍ରିକ ବିଚାର ବିମର୍ଷ ଧାରାକୁ କ୍ଷୁର୍ଣ୍ଣ କରୁଥିବା ସୁସ୍ପଷ୍ଟ ।

 

ତୃତୀୟତଃ, ଆନ୍ତର୍ଜାତିକସ୍ତରରେ ସମ୍ୱାଦ ପ୍ରସାରରେ ଲୋକପ୍ରିୟତା କ୍ରମଶଃ ଦୃଶ୍ୟ ପରିବେଶ ‘ଭିଜୁଆଲ’କୁ ଉନ୍ନୀତ ହୋଇଛି । ଫଳରେ ସମ୍ୱାଦ ପ୍ରଯୋଜକମାନେ ୟୁଟ୍ୟୁବ, ଇନଷ୍ଟାଗ୍ରାମଭଳି ମଞ୍ଚରେ ସମ୍ୱାଦ ପ୍ରସାରଣ ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି । ‘ଫେସବୁକ’ ମୌଳିକଭାବେ ସୃଜନ ସତ୍ତ୍ୱ ‘କପି ରାଇଟ’ ଭଳି ଆଇନଗତ ଜଞ୍ଜାଳରୁ ମୁକ୍ତ ହେବା ନିମନ୍ତେ ସମ୍ୱାଦ ପ୍ରକାଶନରୁ ଓହରିଯାଉଥିବା ସ୍ଥଳେ ମୂଳସ୍ରୋତରେ ମଧ୍ୟ ସମ୍ୱାଦର ଆକର୍ଷଣ ହରାଇବାରେ ଲାଗିଛି ।

 

ଚ଼ତୁର୍ଥତଃ, ସମ୍ୱାଦ ମଞ୍ଚଗୁଡ଼ିକରେ କର୍ମରତ ସାମ୍ୱାଦିକମାନେ ନିଜ ନିଜ ସଂସ୍ଥାରେ ସୃଜନ ପରିଚାଳନା କ୍ଷେତ୍ରରେ ଅବ୍ୟବସ୍ଥା ଲାଗି ରହିଥିବା ସୂଚାଇଥାନ୍ତି । ଉପଭୋକ୍ତାମାନଙ୍କ ବିଶ୍ୱାସ ସମ୍ୱାଦ ମଞ୍ଚର ମାଲିକ ଓ ପରିଚାଳକ ସାମ୍ୱାଦିକମାନଙ୍କୁ ତୃଟିପୂର୍ଣ୍ଣ ସମ୍ୱାଦ ଚ଼ୟନ ନିମନ୍ତେ ବାଧ୍ୟ କରୁଛନ୍ତି । ଡ଼ିଜିଟାଲ ମଞ୍ଚରେ ଗ୍ରାହକଙ୍କ ସଂଖ୍ୟା ବଢୁନାହିଁ । ବିଶ୍ୱବ୍ୟାପୀ ୨୦ଗୋଟି ଧନୀ ରାଷ୍ଟ୍ରରେ ଡିଜିଟାଲ ସମ୍ୱାଦ ମଞ୍ଚର ଗ୍ରାହକ ସଂଖ୍ୟା ୧୭ ପ୍ରତିଶତରେ ଅଟକି ରହିଛି ।

 

ପଞ୍ଚମତଃ, ସମ୍ୱାଦ ଉପଭୋକ୍ତାମାନେ ନିରପେକ୍ଷତା ଆଶା କରୁଥିଲେ ହେଁ ନିରପେକ୍ଷତାର ଅର୍ଥ ସର୍ବସମ୍ମତ୍ତ ହୋଇପାରୁନାହିଁ । ଅପରପକ୍ଷେ ଜନସଂଖ୍ୟାର ଅବହେଳିତ ବର୍ଗ ସମ୍ୱାଦ ମଞ୍ଚଗୁଡ଼ିକରେ ସେମାନଙ୍କ ସମସ୍ୟାପ୍ରତି ସମବେଦନା ଅଭାବ ଅଭିଯୋଗ କରିଥାନ୍ତି ।

 

ଷଷ୍ଠତଃ, ପ୍ରତିଷ୍ଠିତ ମଞ୍ଚରୁ ସମ୍ୱାଦ ଆହରଣ ଦ୍ୱାରା ଉପଭୋକ୍ତା ଅସତ୍ୟ ସମ୍ୱାଦକୁ ସହଜରେ ଚ଼ିହ୍ନଟ କରିପାରେ । ସପ୍ତମତଃ, ସମ୍ୱାଦ ମଞ୍ଚ ଗୁଡ଼ିକରେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ବ୍ୟାପକ ପରିବର୍ତ୍ତନର ଚ଼େତାବନୀ ବିଶେଷଜ୍ଞମାନେ ଜଣାଉଥିବା ସତ୍ତ୍ୱେ ବହୁ ସଂଖ୍ୟକ ସମ୍ୱାଦ ମଞ୍ଚ କର୍ମକର୍ତ୍ତା ଏଦିଗରେ ଉଦାସୀନ । ରଏଟର ଇନଷ୍ଟିଟିଉଟ ପକ୍ଷରୁ ୨୦୨୩ରେ ପ୍ରକାଶିତ ବିଶ୍ୱବ୍ୟାପୀ ସର୍ବେକ୍ଷଣରେ ସମ୍ୱାଦ ମଞ୍ଚଗୁଡ଼ିକରେ ୨୯ ପ୍ରତିଶତ ଏଆଇ ଉପଯୋଗ ନିମନ୍ତେ ନୀତି ନିର୍ଦ୍ଧାରଣ କରିଥିବା ସ୍ଥଳେ ୧୬ ପ୍ରତିଶତ ଦିଗଦର୍ଶନ ପ୍ରସ୍ତୁତି ଓ ମାତ୍ର ନଅ ପ୍ରତିଶତ ତାଲିମ ବ୍ୟବସ୍ଥା କରିଥିଲେ । ଗଣମାଧ୍ୟମ ବିଶ୍ଳେଷକଙ୍କ ଦୃଷ୍ଟିରେ ୨୦୨୪-୨୦୨୫ରେ ସମ୍ଭାବ୍ୟ ପରିବର୍ତ୍ତନ ସ୍ରୋତରେ ସମ୍ୱାଦ ମଞ୍ଚଗୁଡ଼ିକ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦୃଷ୍ଟିଭଙ୍ଗୀ ନୈରାଶ୍ୟଜନକ ନିଶ୍ଚୟ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜାନୁୟାରୀ ୨୦୨


ତଥ୍ୟ:

 

‘Need to be prepared for more disruption, volatility in 2024’ . Business Standard (Bhubaneswar Edition). December 29, 2023

 

Shinde, Shivani. TCS needs to keep evolving in age of GenAI : Krithivasan. Business Standard (Bhubaneswar Edition). January 3, 2024

 

20 findings from Reuters Institute’s research in 2023 still relevant in 2024. December 18, 2023

 

https://reutersinstitute.politics.ox.ac.uk/news/20-findings-reuters-institutes-research-2023-still-relevant-2024


ବଜେଟ ୨୦୧୮ରେ ଗଣମାଧ୍ୟମ 

କେନ୍ଦ୍ର ସରକାରଙ୍କ ବଜେଟ ୨୦୧୮ରେ ସିଧାସଳଖଭାବେ ଗଣମାଧ୍ୟମ ସଂପର୍କରେ କୌଣସି ନୀତି ପରିବର୍ତ୍ତନ ଉଲ୍ଲେଖ କରାଯାଇ ନାହିଁ । ତେବେ ଦେଶର ବିଭିନ୍ନ ଗଣମାଧ୍ୟମ ମଞ୍ଚ ସଂବାଦପତ୍ରଠାରୁ ଆରମ୍ଭ କରି ରେଡ଼ିଓ, ଟେଲିଭିଜନ, ଚଳଚ଼ିତ୍ର, ବିଜ୍ଞାପନ ଓ ଲୋକ ସଂପର୍କ ଇତ୍ୟାଦି ଡ଼ିଜିଟାଲ କାରିଗରୀ କୌଶଳ ସହ ଯୋଡ଼ି ହୋଇଚ଼ାଲିଥିବା ଅବସରରେ ବଜେଟ ୨୦୧୮ରେ ଡ଼ିଜିଟାଲ ଭାରତର ଭିତ୍ତିଭୂମି ଉନ୍ନୟନ ଲାଗି ଦିଆଯାଇଥିବା ଗୁରୁତ୍ୱ ସାମଗ୍ରିକଭାବେ ଗଣମାଧ୍ୟମକୁ ପ୍ରଭାବିତ କରିବା ନିଶ୍ଚିତ । ଅପରପକ୍ଷେ ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ, ମେସିନ ଲେରନିଂ, ଇଣ୍ଟରନେଟ ଅଫ ଥିଙ୍ଗସ ଓ ବ୍ଳକଚ଼େନ ଇତ୍ୟାଦି ବୈଷୟିକ କୌଶଳକୁ ଅଗ୍ରାଧୀକାର ଗଣମାଧ୍ୟମରେ ଉତ୍କର୍ଷତା ବିକାଶରେ ସହାୟକ ହୋଇପାରିବ ।


 

ଆନ୍ତର୍ଜାତିକସ୍ତରରେ ଭାରତ ଦ୍ୱିତୀୟ ବୃହତ ଇଣ୍ଟରନେଟ ଉପଭୋକ୍ତା ରାଷ୍ଟ୍ରର ମାନ୍ୟତା ପାଇଥିବାସ୍ଥଳେ ଆଗାମୀ ୨୦୨୨ ସୁଦ୍ଧା ଚ଼ାରିବର୍ଷ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବା ନିମନ୍ତେ ପ୍ରଚ଼େଷ୍ଟା ଜାରୀ ରହିଛି । ଏଭଳି ବିକାଶଲାଗି ପଥ ପ୍ରଶସ୍ତ କରିବା ଉଦ୍ଦେଶ୍ୟରେ ଡ଼ିଜିଟାଲ ଭାରତ ଉପକ୍ରମଲାଗି ବଜେଟ ୨୦୧୮ରେ ପୂର୍ବବର୍ଷ ତୁଳନାରେ ଦୁଇଗୁଣ ଅର୍ଥ ବରାଦ କରାଯାଇଛି । ଆଗାମୀ ଆର୍ଥିକ ବର୍ଷରେ ଏବାବଦରେ ୩,୦୩୭ କୋଟି ଟଙ୍କା ଖର୍ଚ୍ଚ ହେବ ।


 

ସାରା ଦେଶରେ ଇଣ୍ଟରନେଟ ସଂଯୋଗ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପାଞ୍ଚ ଲକ୍ଷ ୱାଇ-ଫାଇ ହଟ ସ୍ପଟ ସ୍ଥାପନ ଲାଗି ବଜେଟରେ ଘୋଷଣା କରାଯାଇଛି। ଅପହଞ୍ଚ ଆଭନ୍ତରୀଣ ଗ୍ରାମାଞ୍ଚଳଗୁଡ଼ିକରେ ପ୍ରାୟ ପାଞ୍ଚ କୋଟି ଜନସାଧାରଣ ଇଣ୍ଟରନେଟ ସେବା ପାଇପାରିବେ । ଏହି ବାବଦରେ ସ୍ୱତନ୍ତ୍ର ଭାବେ ପ୍ରାୟ ଦଶ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।


 

ବଜେଟ ୨୦୧୮ ଘୋଷଣା ଅନୁଯାୟୀ ପ୍ରତ୍ୟେକ ରେଳ ଷ୍ଟେସନ ଓ ଟ୍ରେନରେ ଇଣ୍ଟରନେଟ ସେବା ଯୋଗାଇଦିଆଯିବା ଯୋଜନା ହାତକୁ ନିଆଯିବ । ରେଳ ନେଟୱାର୍କର ବ୍ୟାପ୍ତି ଓ ଟ୍ରେନ ଉପଭୋକ୍ତାଙ୍କ ବିସ୍ତୃତି ଇଣ୍ଟରନେଟ ବ୍ୟବହାର ବୃଦ୍ଧି ହେବା ସାଙ୍ଗକୁ ଯାତ୍ରା ଅବସରରେ ପାଠ୍ୟ, ଟେଲିଭିଜନ ଓ ଚଳଚ଼ିତ୍ର ଉପଭୋଗ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିବାରେ ସହାୟକ ହେବ ।


 

ଇଣ୍ଟରନେଟର ପ୍ରସାର ସମ୍ୱାଦ ଓ ମନୋରଞ୍ଜନ ମଞ୍ଚରେ ଅଧିକରୁ ଅଧିକ ଦର୍ଶକ ଓ ପାଠକଙ୍କୁ ଆକୃଷ୍ଟ କରିବାରେ ସମର୍ଥ ହୋଇପାରିବ । ମୁଖ୍ୟତଃ ଗ୍ରାମୀଣ ଭାରତରେ ଇଣ୍ଟରନେଟର ଉପସ୍ଥିତି ଜନଜୀବନରେ ଯୁଗାନ୍ତକାରୀ ପରିବର୍ତ୍ତନର ସୂତ୍ରଧର ସାଜିବ । ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପ୍ରଶାସନ ତଥା ଷ୍ଟାଟଅପ ଯୋଗେ ବିବିଧ ସେବା ଯୋଗାଣ ସଂଭବପର ହୋଇପାରିବ ।


 

ସରକାରଙ୍କ ପକ୍ଷରୁ ଆର୍ଥିକ କାରବାରରେ ଡ଼ିଜିଟାଲାଇଜେସନକୁ ଗୁରୁତ୍ୱ ଦେବାରେ ଦୁଇ ମୁଖ୍ୟ କାରଣକୁ ଚ଼ିହ୍ନଟ କରାଯାଇପାରେ । ଏଥିଦ୍ୱାରା ଏକ ପକ୍ଷରେ ଟିକସ ଆଦାୟ ବୃଦ୍ଧି ସାଙ୍ଗକୁ ଅପରପକ୍ଷରେ ସାର୍ବଜନୀନ କ୍ଷେତ୍ରରେ ସ୍ୱଚ୍ଛତା ବୃଦ୍ଧି ତଥା ଦୁର୍ନୀତି ବିଲୋପ ପାଇଁ ଉଦ୍ୟମ ତ୍ୱରାନ୍ୱିତ ହୋଇପାରିବ । ପରୋକ୍ଷରେ ଆର୍ଥିକ କାରବାରରେ ଡ଼ିଜିଟାଲାଇଜେସନ ବିଭିନ୍ନ ଗଣମାଧ୍ୟମ ମଞ୍ଚରେ ଗ୍ରାହକ ଚ଼ାନ୍ଦା ସଂଗ୍ରହ ବ୍ୟବସ୍ଥାକୁ ସୁସଂହତ କରିବାରେ ସମର୍ଥ ହେବ । ଏହା ଗଣମାଧ୍ୟମ ବ୍ୟବସାୟ ବୃଦ୍ଧିରେ ସହାୟକ ହୋଇପାରିବ ।


 

ବ୍ଳକଚ଼େନ କାରିଗରୀ କୌଶଳ ଆର୍ଥିକ କାରବାରର ଉତ୍ସ ଖୋଜିବାହାର କରିପାରେ । ଏହି ଅତ୍ୟାଧୁନିକ କୃତ୍ରିମ ବୃଦ୍ଧିମତ୍ତା ପ୍ରୟୋଗରେ ସରକାରୀ ଓ ବେସରକାରୀସ୍ତରରେ ପ୍ରତ୍ୟେକ ଦେଣନେଣର ପୁଙ୍ଖାନୁପୁଙ୍ଖ ହିସାବ ହାତପାଆନ୍ତାରେ ଉପଲବ୍ଧ ହେବାର ଅବକାଶ ସୃଷ୍ଟି କରିବ । ଅନ୍ୟାନ୍ୟ ଶିଳ୍ପ ସହ ଗଣମାଧ୍ୟମ ଶିଳ୍ପରେ ଆର୍ଥିକ ବାଟମାରଣାର ପଥରୋଧ ନିମନ୍ତେ ସରକାରୀ ପ୍ରୋତ୍ସାହନରେ ବ୍ଳକଚ଼େନ ପଦ୍ଧତି ଉପଯୋଗ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଇପାରେ ।


 

ସମ୍ଭାବ୍ୟ ପରିବେଶକୁ ବୁଝିବାଲାଗି ଏକ ଛୋଟିଆ ଉଦାହରଣ ଉପସ୍ଥାପନ କରାଯାଇପାରେ । ଜଣେ ପ୍ରଯୋଜକ ଏକ ଭିଡ଼ିଓ ପ୍ରସ୍ତୁତ କଲା ପରେ ମାତ୍ର ଦଶ ଟଙ୍କା ବିନିମୟରେ ତାହାର ପ୍ରଦର୍ଶନ କରିବା ନିମନ୍ତେ ସ୍ଥିର କଲା । ଡ଼ିଜିଟାଲାଇଜେସନ ପରବର୍ତ୍ତୀ ଅବସ୍ଥାରେ ଯେକୌଣସି ଦର୍ଶକ ଡ଼ିଜିଟାଲ ଭାବେ ଅର୍ଥ ଭରଣା କରି ସେହି ଭିଡ଼ିଓ ଉପଭୋଗ କରିପାରିବ । ଭିଡ଼ିଓର ପ୍ରଯୋଜକ ତତ୍କ୍ଷଣାତ ନିଜ ଏକାଉଣ୍ଟରେ ଦଶ ଟଙ୍କା ପାଇପାରିବ। ଏହି ଦେଣନେଣ ପାଇଁ ଯେଉଁ ବିସ୍ତୃତ ଭିତ୍ତିଭୂମିର ପ୍ରସ୍ତୁତି ଆବଶ୍ୟକ ତାହା ବର୍ତ୍ତମାନ ପରିପ୍ରେକ୍ଷୀରେ ଛୋଟ ପ୍ରଯୋଜକଙ୍କ ନିମନ୍ତେ ସମ୍ଭବପର ନୁହେଁ । ତେବେ ଡ଼ିଜିଟାଲାଇଜେସନ ପରବର୍ତ୍ତୀ ଅବସ୍ଥାରେ ତାହା ସଂଭବ ହୋଇପାରିବ । ଏପରିକି ଗୋଟିଏ ରଚ଼ନା ପଢ଼ିବା ବା ଡ଼ାଉନଲୋଡ଼ କରିବା ନିମନ୍ତେ ନିର୍ଦ୍ଧିଷ୍ଟ ଶୁଳ୍କ ଜଣେ ଲେଖକ ଦାବୀ କରିପାରିବ ଏବଂ ଆଗ୍ରହୀ ପାଠକଙ୍କ ଦେୟ ଅନାୟାସରେ ତାହା ପାଖରେ ପହଞ୍ଚି ପାରିବ ।


 

ବୈଷୟିକ କାରିଗରୀ କୌଶଳ ଉପଯୋଗ କ୍ଷେତ୍ରରେ ଅତୀତରେ ଭାରତ ଆକସ୍ମିକ ଭାବେ ଅତ୍ୟାଧୁନିକ ଧାରା ଉପଯୋଗ କରିଆସିଛି । ଏହି ‘ଲିପ୍ ଫ୍ରଗ’ ଅଭ୍ୟାସ ବିକାଶର କେତେଗୁଡ଼ିଏ ସୋପନକୁ ଡ଼େଇଁ ସର୍ବାଧୁନିକଠାରେ ପହଞ୍ଚିବାରେ ପର୍ଯ୍ୟବସିତ ହୋଇଥାଏ । ଉଦାହରଣ ସ୍ୱରୂପ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଟେଲିଭିଜନର ପ୍ରସାର ହୋଇଥିଲେ ହେଁ ଭାରତ ୧୯୮୨ ଯାଏଁ ଅପେକ୍ଷା କରି ସିଧାସଳଖ ଉପଗ୍ରହ ପ୍ରସାରଣ ପଦ୍ଧତି ବ୍ୟବହାର କରିଥିଲା । ଏହାଦ୍ୱାରା ଅତି ଅଳ୍ପ ଖର୍ଚ୍ଚରେ ସୁବିସ୍ତୃତ ଭୌଗଳିକ ପରିସୀମାରେ ‘ଦୂରଦର୍ଶନ’ ପ୍ରସାରଣ ସଂଭବପର ହୋଇପାରିଥିଲା । ସେହିପରି କମ୍ପ୍ୟୁଟର ବ୍ୟବହାର କ୍ଷେତ୍ରରେ ଦୀର୍ଘ ବର୍ଷ ଅପେକ୍ଷା କରି ସିଧାସଳଖ ମୋବାଇଲ ସ୍ମାର୍ଟଫୋନ ମଞ୍ଚରେ ଦେଶର ୨୦୧୭ ସୁଦ୍ଧା ଚ଼ାଳିଶି କୋଟି ଜନସାଧାରଣ ଅବତୀର୍ଣ୍ଣ ହେଲେ । ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଭଳି ବୈଷୟିକ କାରିଗରୀ କୌଶଳ ବ୍ୟବହାର ଫଳରେ ଭାରତ ଅନ୍ୟ ଯେକୌଣସି ବିକଶିତ ରାଷ୍ଟ୍ରର ସମକକ୍ଷ ହୋଇପାରିବ ।


 

କେନ୍ଦ୍ର ବଜେଟ ୨୦୧୮ ଘୋଷଣା ଅନୁଯାୟୀ ନୀତି ଆୟୋଗ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ବିଷୟ ଗବେଷଣା ନିମନ୍ତେ ଜାତୀୟସ୍ତରରେ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଆୟୋଜନର ଦାୟିତ୍ୱ ଗ୍ରହଣ କରିବ । ସେହିପରି ଚ଼େନ୍ନାଇ ଇଣ୍ଡିଆନ ଇନଷ୍ଟିଟିଉଟ ଅଫ ଟେକନୋଲଜିରେ ଟେଲିକମ ୫ଜି ଟେକନୋଲଜି ବିକାଶ ନିମନ୍ତେ ଏକ କେନ୍ଦ୍ର ସ୍ଥାପନ କରାଯିବ । ସରକାରଙ୍କ ପକ୍ଷରୁ ପ୍ରବର୍ତ୍ତିତ ‘ମେକ ଇନ ଇଣ୍ଡିଆ’ ଉପକ୍ରମରେ ଅତ୍ୟାଧୁନିକ କାରିଗରୀ କୌଶଳ ବିକାଶକୁ ଅଗ୍ରାଧୀକାର ଦିଆଯିବା ଗଣମାଧ୍ୟମ ଲାଗି ଉଜ୍ଜଳ ଭବିଷ୍ୟତର ସୂଚ଼ନା ଦେଇଥାଏ ।       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଫେବୃୟାରୀ ୨୦୧୮

କେନ୍ଦ୍ର ବଜେଟ ୨୦୧୯ରେ ଗଣମାଧ୍ୟମ 

କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଅନ୍ତରୀଣ ବଜେଟରେ ଗଣମାଧ୍ୟମ ଶିଳ୍ପ ନିମନ୍ତେ ମୁଖ୍ୟତଃ ତିନି ଗୋଟି ନୂତନ ନୀତି ସଂପର୍କରେ ଉଲ୍ଲେଖ କରାଯାଇଛି । ସେଥି ମଧ୍ୟରେ ଚଳଚ଼ିତ୍ର ଚ଼ିତ୍ର-ଉତ୍ତୋଳନ ‘ସୁଟିଂ’ ନିମନ୍ତେ ପ୍ରଶାସନିକ ଅନୁମତି ବିତରଣ ଲାଗି ଏକକ-ସୂତ୍ର ‘ସିଙ୍ଗଲ ୱିଣ୍ଡୋ’ ବ୍ୟବସ୍ଥା, ଚଳଚ଼ିତ୍ର ଚ଼ୋରାବଜାର ‘ପାଇରେସି’ ରୋକିବା ପାଇଁ ‘ଆଣ୍ଟି-କାମକୋଡ଼ର’ନିୟମ ପ୍ରଣୟନ ଏବଂ ଏକଲକ୍ଷ ଡ଼ିଜିଟାଲ ଗ୍ରାମ ସୃଷ୍ଟି ଅନ୍ତର୍ଭୁକ୍ତ । ଗଣମାଧ୍ୟମ ପରିଧିରେ ଏହି ନିୟମାକ ନିଷ୍ପତ୍ତିଗୁଡ଼ିକ ସ୍ଥୁଳଭାବେ ପ୍ରଭାବଶାଳୀ ମନେ ହେଉନଥିଲେ ହେଁ ଗୁରୁତ୍ୱପୂର୍ଣ୍ଣ ଏବଂ ଗଣମାଧ୍ୟମ ଶିଳ୍ପର ବୃହତ୍ତର ସ୍ୱାର୍ଥ ସଂରକ୍ଷଣରେ ସହାୟକ ହେବା ଆଶା କରାଯାଇପାରେ ।


 

ଭାରତରେ ଚଳଚ଼ିତ୍ର ବାହ୍ୟ ଚ଼ିତ୍ର-ଉତ୍ତୋଳନ ‘ଲୋକେସନ-ସୁଟିଂ’ ନିମନ୍ତେ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିଥାଏ ।ଏଥିଲାଗି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନୀତି ଅନୁସରଣ କରାଯାଇଥାଏ । ପୌରପାଳିକା, ପୋଲିସଠାରୁ ଆରମ୍ଭ କରି ପରିବେଶ ବା ବଣ୍ୟଜନ୍ତୁ ତତ୍ତ୍ୱାବଧାରକଙ୍କ ଯାଏଁ ଚଳଚ଼ିତ୍ରର ଚ଼ରିତ୍ର ଓ ଦୃଶ୍ୟଜନିତ ଆବଶ୍ୟକତା ଅନୁଯାୟୀ ଅନୁମତିର ପରିମାଣ ନିର୍ଦ୍ଧାରିତ ହୋଇଥାଏ । ବଲିଉଡ଼ରେ ଏକ ବଡ଼ ହିନ୍ଦି ଚଳଚ଼ିତ୍ର ନିର୍ମାଣ ନିମନ୍ତେ ପଟ୍ଟଚ଼ିତ୍ର ‘ସ୍କ୍ରିପ୍ଟ’ ରଚ଼ନା ପରବର୍ତ୍ତୀ ଅବସ୍ଥାଠାରୁ ଶୁଭମୁକ୍ତି ‘ରିଲିଜ’ ଯାଏଁ ୧୮ ରୁ ୨୪ ମାସ ସମୟ ଲାଗୁଥିବା ଅବସରରେ ସ୍କ୍ରିପ୍ଟ ଅନୁମୋଦନ ‘ଫାଇନାଲାଇଜେସନ’ ପରେ କେବଳ ଅନୁମତି ସଂଗ୍ରହରେ ଛଅ ମାସ ଚ଼ାଲିଯାଏ । ସ୍ଥଳବିଶେଷରେ ଗୋଟିଏ ଚଳଚ଼ିତ୍ର ସୁଟିଂ ଲାଗି ୫୦ ରୁ ୬୦ ଅନୁମତି ପତ୍ର ହାସଲ କରିବା ନିମନ୍ତେ ପ୍ରଯୋଜକଙ୍କୁ ସରକାରୀ ଦପ୍ତର ଦୌଡ଼ରେ ଅଯଥା ଖର୍ଚ୍ଚାନ୍ତ ହେବା ସହ ପରୋକ୍ଷରେ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଥାଏ ।


 

ବୈଦେଶିକ ଚଳଚ଼ିତ୍ର ପ୍ରଯୋଜକମାନଙ୍କୁ ଭାରତରେ ସୁଟିଂ ଲାଗି ୨୦୧୫ରୁ ସିଙ୍ଗଲ ୱିଣ୍ଡୋ ପ୍ରଣାଳୀରେ ଅନୁମତି ପ୍ରଦାନ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏଥି ନିମନ୍ତେ କେନ୍ଦ୍ରୀୟସ୍ତରରେ ‘ଫେସିଲିଟେସନ ଅଫିସ’ ସ୍ଥାପିତ ହୋଇଛି । ପ୍ରଯୋଜକଙ୍କ ଆବଶ୍ୟକତାମତେ ବିଭିନ୍ନ ରାଜ୍ୟସହ ଯୋଗାଯୋଗ ସ୍ଥାପନ କରି ବିଦେଶୀ ଚଳଚ଼ିତ୍ର ସୁଟିଂ ପାଇଁ ଥରକରେ ଅନୁମତି ଦିଆଯାଉଛି । ଭାରତୀୟ ଚଳଚ଼ିତ୍ର ନିର୍ମାତାଙ୍କ ନିମନ୍ତେ ପ୍ରସ୍ତାବିତ ସିଙ୍ଗଲ ୱିଣ୍ଡୋର କାର୍ଯ୍ୟକାରିତା ସଂପର୍କରେ ସବିଶେଷ ବିବରଣୀ ପ୍ରକାଶିତ ହୋଇ ନଥିଲେ ହେଁ ଏହି କାର୍ଯ୍ୟ ‘ଫିଲ୍ମ ଫେସିଲିଟେସନ ଅଫିସ’ ଢ଼ାଞ୍ଚାରେ ଆୟୋଜନ କରାଯିବା ଆଶା କରାଯାଏ ।


 

ତେବେ ଭାରତୀୟ ଚଳଚ଼ିତ୍ର ସୁଟିଂ ନିମନ୍ତେ କେନ୍ଦ୍ରୀୟସ୍ତରରେ ବିଭିନ୍ନ ରାଜ୍ୟ ପକ୍ଷରୁ ଅନୁମତି ସଂଗ୍ରହ ସହଜସାଧ୍ୟ ହୋଇ ନପାରେ ବୋଲି କେତେକ ବିଚାର କରୁଛନ୍ତି । ଆମ ଦେଶରେ କେବଳ ହିମାଚଳ ପ୍ରଦେଶରେ ଚଳଚ଼ିତ୍ର ସୁଟିଂ ନିମନ୍ତେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ପ୍ରଚଳିତ । ଅନ୍ୟାନ୍ୟ ରାଜ୍ୟ ସରକାର ସେହି ଭଳି ପ୍ରଣାଳୀ ପ୍ରଚଳନ କଲେ ଯାଇ ଭାରତୀୟ ଚଳଚ଼ିତ୍ର ସୁଟିଂ ନିମନ୍ତେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ ବୋଲି କୁହାଯାଉଛି ।


 

ଚଳଚ଼ିତ୍ର ନିର୍ମାଣରେ ସ୍କ୍ରିପ୍ଟ ଅନୁମୋଦନଠାରୁ ସୁଟିଂ ଆରମ୍ଭ ଯାଏଁ ‘ପ୍ରି-ପ୍ରୋଡ଼କ୍ସସନ’ ସମୟ ସୀମା ସିଙ୍ଗଲ ୱିଣ୍ଡୋ ପଦ୍ଧତି ଦ୍ଵାରା ବହୁ ପରିମାଣରେ କମିଯିବ । ଏଥି ଯୋଗୁଁ ସମସାମୟିକ ଘଟଣାକ୍ରମ ଉପରେ ଆଧାରିତ ଚଳଚ଼ିତ୍ର ନିର୍ମାଣ ତଥା ରିଲିଜ ନିମନ୍ତେ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଆଗ୍ରହ ପ୍ରକାଶ କରିବେ । ଫଳରେ ବିଭିନ୍ନ ଜ୍ଵଳନ୍ତ ସାମାଜିକ ସମସ୍ୟା ସଂପର୍କରେ ବିଚାରବିମର୍ଷ କରିବା ନିମନ୍ତେ ରୁପେଲି ପରଦାରେ ସୁଯୋଗ ସୃଷ୍ଟି ହେବ । ଚଳଚ଼ିତ୍ର ଏକ ପ୍ରଭାବଶାଳୀ ମାଧ୍ୟମ ହୋଇଥିବା ହେତୁ ଚଳଚ଼ିତ୍ର ଶୀଘ୍ର ରିଲିଜ ହେବା ସମ୍ଭବପର ହେଲେ କମ ସମୟର ଅବଧି ପାଇଁ ନିବେଶକମାନେ ଅଧିକ ଆଗ୍ରହୀ ହୋଇପାରନ୍ତି ଏବଂ ବିଳମ୍ବ କାରଣରୁ ଅଯଥା ଖର୍ଚ୍ଚକୁ ରୋକା ଯାଇପାରେ। ସମୟକ୍ରମେ ଚଳଚ଼ିତ୍ର ସୁଟିଂ ପ୍ରଣାଳୀ ପରିବର୍ତ୍ତିତ ହୋଇଛି । ଅତୀତରେ ସୁଟିଂ ପାଇଁ ବିଶାଳକାୟ କ୍ୟାମେରା, ଲାଇଟ୍ ଓ ଆନୁଷଙ୍ଗିକ ଯନ୍ତ୍ରପାତି ଆବଶ୍ୟକ ପଡୁଥିଲା । କିନ୍ତୁ ଡିଜିଟାଲ ପଦ୍ଧତି ଅବଲମ୍ବନରେ ସ୍ଥଳବିଶେଷରେ ଏସଏଲଆର କ୍ୟାମେରାଏପରିକି ମୋବାଇଲ ଫୋନ ଯୋଗେ ସୁଟିଂ ସଂଭବପର ହୋଇପାରୁଛି । ତେଣୁ ଅନେକ କ୍ଷେତ୍ରରେ ପାରମ୍ପରିକ ନୀତି ନିୟମ ପରିବର୍ତ୍ତନ ଜରୁରି ହୋଇପଡ଼ିଛି ।


 

‘ଫେଡେରେସନ ଅଫ ଚ଼େମ୍ୱର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀଜ’ର ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସମ୍ବନ୍ଧୀୟ ୨୦୧୮ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଚଳଚ଼ିତ୍ର ପାଇରେସିଦ୍ଵାରା ପ୍ରଯୋଜକ ଓ ବିତରକମାନେ ବାର୍ଷିକ ଆକଳନ ରାଜସ୍ଵର୩୦ ପ୍ରତିଶତ କ୍ଷତି ସହୁଛନ୍ତି । ନୂଆ ଚଳଚ଼ିତ୍ରଟିଏ ରିଲିଜ ହେବାପରେ ଚଳଚ଼ିତ୍ର ପ୍ରେକ୍ଷାଳୟରେ କ୍ୟାମକୋଡ଼ର ଜରିଆରେ ରେକଡ଼ିଂ କରାଯାଇ ଡିଜିଟାଲ ମାଧ୍ୟମରେ ପ୍ରସାରିତ କରାଯାଉଛି । କାଳକ୍ରମେଚୋରା ଚଳଚ଼ିତ୍ର ଡାଉନଲୋଡ୍ କରିବା ନିମନ୍ତେ ଗୁଡାଏ ୱେବସାଇଟ ମଧ୍ୟ ଗଢି ଉଠିଛି । ଏହି ବେନିୟମ କାର୍ଯ୍ୟକଳାପକୁ ରୋକିବା ଲାଗି ଏଭଳି ଅପରାଧକୁ ଦଣ୍ଡନୀୟ ଫୌଜଦାରୀ ‘କ୍ରିମିନାଲ’ପର୍ଯ୍ୟାୟଭୁକ୍ତକରିବା ନିମନ୍ତେ କେନ୍ଦ୍ର ବଜେଟ ୨୦୧୯ରେ ଘୋଷଣା କରାଯାଇଛି । ଦେଶରେ ପ୍ରଚଳିତ ‘ସିନେମାଟୋଗ୍ରାଫି ଆକ୍ଟ’ରେ ଏଥି ନିମନ୍ତେ ଆବଶ୍ୟକୀୟ ଧାରା ସଂଯୋଗ କରାଯିବ ।


 

‘ଡିଜିଟାଲଭାରତ’ କାର୍ଯ୍ୟକ୍ରମରେ ଏକ ଲକ୍ଷ ଗ୍ରାମକୁ ‘ଡିଜିଟାଲ ଗ୍ରାମ’ରେ ରୂପାନ୍ତରିତ କରାଯିବା ନିମନ୍ତେ ମଧ୍ୟ କେନ୍ଦ୍ର ବଜେଟ ୨୦୧୯ରେ ନୀତି ନିର୍ଦ୍ଧାରିତ ହୋଇଛି । ‘ସ୍ମାର୍ଟ ସିଟି’ପରେ ‘ଡିଜିଟାଲ ଗ୍ରାମ’ ସୃଷ୍ଟି ଆଧୁନିକ ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଏକ ଅଭିନନ୍ଦନୀୟ ପଦକ୍ଷେପ । ଶିକ୍ଷା, ସ୍ଵାସ୍ଥ୍ୟବ୍ୟବସାୟ, ପ୍ରଶାସନ ସହ ମନୋରଞ୍ଜନ କ୍ଷେତ୍ରରେ ଡିଜିଟାଲ ରୂପାନ୍ତରୀକରଣ ସୁଦୂରପ୍ରସାରୀ ପ୍ରଭାବ ବିସ୍ତାର କରିବା ସମ୍ଭବପର । ଆମ ଦେଶରେ ଚଳଚ଼ିତ୍ର ପ୍ରେକ୍ଷାଳୟ ସଂଖ୍ୟା ସୀମିତ । ଏଠାରେ ୧୫ ହଜାର ଜନସଂଖ୍ୟା ନିମନ୍ତେ ମାତ୍ର ଗୋଟିଏ ଚଳଚ଼ିତ୍ର ପ୍ରେକ୍ଷାଳୟ ଉପଲବ୍ଧ । ଡିଜିଟାଲ ଗ୍ରାମ ଅଧିକ ସଂଖ୍ୟକ ପ୍ରେକ୍ଷାଳୟ ସ୍ଥାପନରେ ସହାୟକ ହେବ । ୨୦୧୯ରେ ଚଳଚ଼ିତ୍ର ଶିଳ୍ପରେ ୧୬ ହଜାର ୫୦୦ କୋଟି ଟଙ୍କା ରାଜସ୍ଵ ଆଦାୟ ଆକଳନ କରାଯାଉଥିବାସ୍ଥଳେ ୧୦ ହଜାର ୩୦୦ କୋଟି ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନରୁ ଆୟ ଅନ୍ତର୍ଭୁକ୍ତ । ଏଥିସହ ଡ଼ିଜିଟାଲ ପରିବେଶ ଭିଡ଼ିଓ ଷ୍ଟ୍ରୀମିଂ ବ୍ୟବସାୟ ପ୍ରସାରରେ ସହାୟକ ହେବ ।


 

ଓଡିଆ ଚଳଚ଼ିତ୍ର ଶିଳ୍ପ ‘ଓଲିଉଡ଼’ ନିମନ୍ତେ ସିଙ୍ଗଲ ୱିଣ୍ଡୋ ସୁଟିଂ ଅନୁମତି ପ୍ରଦାନରେ କମ ସମୟରେ ନିର୍ମାଣ, ଚ଼ୋରାବଜାର ରୋକିବାଓ ଡିଜିଟାଲ ଗ୍ରାମ ସୃଷ୍ଟି ଶୁଭଙ୍କର ସାବ୍ୟସ୍ତ ହେବା ଆଶା କରାଯାଇପାରେ । ଆମ ରାଜ୍ୟର ୮୬ ପ୍ରତିଶତ ପରିବାର ଗ୍ରାମାଞ୍ଚଳରେ ବସବାସ କରୁଥିବା ହେତୁ ଗ୍ରାମାଞ୍ଚଳରେ ଚଳଚ଼ିତ୍ର ପ୍ରେକ୍ଷାଳୟ ସଂଖ୍ୟା ବୃଦ୍ଧି ତଥା ଭିଡ଼ିଓ ଷ୍ଟ୍ରୀମିଂ ଲୋକପ୍ରିୟ ନହେଲେ ବ୍ୟାବସାୟିକ ଉନ୍ନତି ଅସଂଭବ । ଏହି ସମସ୍ୟା ସମାଧାନ ନିମନ୍ତେ ଆମେ ବିଭିନ୍ନ ଉଦ୍ୟମରେ ବିଫଳ ହୋଇଥିବା ସ୍ଥଳେ ଡିଜିଟାଲ ଗ୍ରାମ ସୃଷ୍ଟି ଏକ ନୂତନ ସୁଯୋଗ ସୃଷ୍ଟି କରିପାରେ । ସେହିପରି ଚଳଚ଼ିତ୍ର ନିର୍ମାଣରେ ସମୟ କମିଲେ ନିବେଶ ବୃଦ୍ଧି ଓ ଚଳଚ଼ିତ୍ର ଚ଼ୋରାବଜାର ରୋକା ଯାଇପାରିଲେ ରାଜସ୍ୱ ବୃଦ୍ଧି ଓଡ଼ିଶା ଚଳଚ଼ିତ୍ର ଶିଳ୍ପ ନିମନ୍ତେ ଲାଭଜନକ ସାବ୍ୟସ୍ତ ହୋଇପାରେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଫେବୃୟାରୀ ୨୦୧


ତଥ୍ୟ :


Malvania, Urvi. Single – window opens for Indian filmmakers. Business Standard (Bhubaneswar Edition). February 2/3, 2019.


 

Single-window clearance for film-makers to get cameras rolling. The Hindu (Cuttack Edition). February 2, 2019.


 

Shashidhar, Ajit. Budget 2019 : Single window clearance for Indian film-makers is ambiguous. February 2, 2019 <m.businesstody.in>

ନିଉଜପ୍ରିଣ୍ଟ ଆମଦାନୀ ଶୁଳ୍କ ବୃଦ୍ଧି 

କେନ୍ଦ୍ର ପୂର୍ଣ୍ଣାଙ୍ଗ ବଜେଟ ୨୦୧୯ରେ ବିଦେଶୀ ସମ୍ୱାଦପତ୍ର ମୁଦ୍ରଣ କାଗଜ ବା ନିଉଜପ୍ରିଣ୍ଟ ଆମଦାନୀ ଶୁଳ୍କ ବୃଦ୍ଧି ପ୍ରସ୍ତାବ ମୁଦ୍ରିତ ଗଣମାଧ୍ୟମ ଅଭିବୃଦ୍ଧିରେ ପ୍ରଭାବ ପକାଇବା ଆଶଙ୍କା ସୃଷ୍ଟି କରିଛି । ଭାରତରେ ବାର୍ଷିକ ୨୫ ଲକ୍ଷ ଟନ ନିଉଜପ୍ରିଣ୍ଟ ବ୍ୟବହୃତ ହୋଇଥାଏ । ଏଥି ମଧ୍ୟରୁ ମାତ୍ର ୧୦ ଲକ୍ଷ ଟନ ଦେଶରେ ପ୍ରତିଷ୍ଠିତ କାଗଜକଳମାନେ ଉତ୍ପାଦନ କରିଥାନ୍ତି । ଫଳରେ ବାର୍ଷିକ ୧୫ ଲକ୍ଷ ଟନ ନିଉଜପ୍ରିଣ୍ଟ ବିଦେଶରୁ ଆମଦାନୀ କରିବାକୁ ପଡିଥାଏ ।


 

ସାଧାରଣତଃ କାଠମଣ୍ଡ ନିଉଜପ୍ରିଣ୍ଟ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ । ତେବେ ପୂର୍ବରୁ ବ୍ୟବହୃତ ଓ ପରିତ୍ୟକ୍ତ ରଦ୍ଦି କାଗଜକୁ ପୁନଃପ୍ରକ୍ରିୟାକରଣରେ ନିଉଜପ୍ରିଣ୍ଟ ପ୍ରସ୍ତୁତି ବୈଷୟିକ କୌଶଳ ମଧ୍ୟ ଉପଯୋଗ କରାଯାଇଥାଏ । ବିଶ୍ୱବ୍ୟାପୀ ଜଙ୍ଗଲର ଆୟତନ କମି ଆସୁଥିବା ହେତୁ ରଦ୍ଦି କାଗଜ ପୁନଃପ୍ରକ୍ରିୟାକରଣ ଅପେକ୍ଷାକୃତ ଶସ୍ତା ଓ ଲୋକପ୍ରିୟ ହୋଇପାରିଛି । ଚୀନ ଭଳି ରାଷ୍ଟ୍ରଗୁଡ଼ିକ ପୁନଃପ୍ରକ୍ରିୟାକରଣ ନିଉଜପ୍ରିଣ୍ଟ ଉତ୍ପାଦନରେ ଆଗୁଆ ରହିଛନ୍ତି ।


 

ଆମ ଦେଶରେ ଇଂଲିଶ ଓ ଭାରତୀୟ ଭାଷାଗୁଡ଼ିକରେ ବହୁଳ ପ୍ରସାରିତ ସମ୍ୱାଦପତ୍ର ଓ ପତ୍ରିକାଗୁଡ଼ିକ ମୁଖ୍ୟତଃ ବିଦେଶୀ ନିଉଜପ୍ରିଣ୍ଟ ବ୍ୟବହାର କରିଥାନ୍ତି । ଦେଶରେ ପ୍ରସ୍ତୁତ ନିଉଜପ୍ରିଣ୍ଟ ବିଦେଶୀ ନିଉଜପ୍ରିଣ୍ଟ ତୁଳନାରେ ନିମ୍ନମାନ । ସମ୍ୱାଦପତ୍ରଗୁଡ଼ିକ ଦୈନିକଭିତ୍ତିରେ ଅନ-କୋଟେଡ଼ ନିଉଜପ୍ରିଣ୍ଟ ବ୍ୟବହାର କରୁଥିବା ସ୍ଥଳେ ରବିବାସରରୀୟ ପତ୍ରିକାରେ ଗ୍ଳେଜଡ଼ ନିଉଜପ୍ରିଣ୍ଟ ବ୍ୟବହୃତ ହୋଇଥାଏ । ପତ୍ରିକାଗୁଡ଼ିକ କମ ଓଜନର କୋଟେଡ଼ ନିଉଜପ୍ରିଣ୍ଟ ବ୍ୟବହାର କରିଥାନ୍ତି । ଭାରତରେ ଏହି ଧରଣର ନିଉଜପ୍ରିଣ୍ଟ ଉତ୍ପାଦନ ହୁଏ ନାହିଁ । ସାମଗ୍ରିକଭାବେ ସମ୍ୱାଦପତ୍ର ମୁଦ୍ରଣ ନିମନ୍ତେ ସର୍ବଦା ବିଦେଶୀ ନିଉଜପ୍ରିଣ୍ଟର ଚାହିଦା ରହିଥାଏ ।


 

ଆନ୍ତର୍ଜାତିକସ୍ତରରେ ଅଶୋଧିତ ତୈଳ ଦର ଭଳି ନିଉଜପ୍ରିଣ୍ଟ ଦର ବଢ଼ି ଚ଼ାଲିଥାଏ । ଫଳରେ ଭାରତରେ ନିଉଜପ୍ରିଣ୍ଟ ଦର ବୃଦ୍ଧି ଅପରିହାର୍ଯ୍ୟ ହୋଇପଡ଼େ । ଆମ ଦେଶକୁ ଚୀନରୁ ପର୍ଯ୍ୟାପ୍ତ ପରିମାଣରେ ନିଉଜପ୍ରିଣ୍ଟ ଆମଦାନୀ କରାଯାଏ । ଚୀନରେ ମୁଖ୍ୟତଃ ରଦ୍ଦି କାଗଜରୁ ପ୍ରସ୍ତୁତ ଅନ-କୋଟେଡ଼ ଓ କୋଟେଡ଼ ନିଉଜପ୍ରିଣ୍ଟ ସୁଲଭ ମୂଲ୍ୟରେ ମିଳିପାରୁଥିବା  ସ୍ଥଳେ ଗତ କିଛି ବର୍ଷରୁ ଚୀନରେ ନିଉଜପ୍ରିଣ୍ଟ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ପୂର୍ବରୁ ବିଦେଶରୁ ପର୍ଯ୍ୟାପ୍ତ ପରିମାଣରେ ରଦ୍ଦି କାଗଜ ଚୀନ ପୁନଃପ୍ରକ୍ରିୟାକରଣ ନିମନ୍ତେ ଆମଦାନୀ କରୁଥିବା ସ୍ଥଳେ ଏଭଳି ସାମଗ୍ରୀ ଆମଦାନୀ ଓ ଉତ୍ପାଦନରେ ପରିବେଶ ପ୍ରଦୂଷଣ ହେତୁ ସେଠାକାର ସରକାର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।


 

ଆନ୍ତର୍ଜାତିକସ୍ତରରେ ଶସ୍ତା ପୁନଃପ୍ରକ୍ରିୟାକରଣ ନିଉଜପ୍ରିଣ୍ଟ ଉତ୍ପାଦନରେ ଚୀନ ଅଗ୍ରଣୀ । ଚୀନ ପେପର ଏସୋସିଏସନର ହିସାବ ଅନୁଯାୟୀ ସେଠାରେ ୨୦୧୬ ବେଳକୁ ବାର୍ଷିକ ୬ କୋଟି ୩୩ ଲକ୍ଷ ଟନ ପୁନଃପ୍ରକ୍ରିୟାକରଣ ନିଉଜପ୍ରିଣ୍ଟ ଉତ୍ପାଦନ ହୋଇଥିଲା । ଏଥି ମଧ୍ୟରୁ ୨୪ ପ୍ରତିଶତ ବିଦେଶରୁ ଆମଦାନୀ କରାଯାଇଥିବା ବ୍ୟବହୃତ ରଦ୍ଦି କାଗଜରୁ ନିଉଜପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାଯାଏ । ତେବେ ଚୀନ ସରକାର ବ୍ୟବହୃତ ରଦ୍ଦି କାଗଜ ସମେତ ୨୪ ଗୋଟି ରଦ୍ଦି ସାମଗ୍ରୀ ଆମଦାନୀ ବନ୍ଦ କରିଦେଇଛନ୍ତି । ଚୀନରେ ଶସ୍ତା ନିଉଜପ୍ରିଣ୍ଟର ଉତ୍ପାଦନ କମିଯିବା ଫଳରେ ଦର ବୃଦ୍ଧି କାରଣରୁ ଭାରତଭଳି ନିଉଜପ୍ରିଣ୍ଟ ଆମଦାନୀ କରୁଥିବା ରାଷ୍ଟ୍ରର ଉପଭୋକ୍ତାମାନେ ପ୍ରଭାବିତ ହୋଇଛନ୍ତି ।


 

ଆମ ଦେଶରେ ନିଉଜପ୍ରିଣ୍ଟ ଦର ୨୦୧୬-୧୭ରୁ ବଢ଼ି ଚ଼ାଲିଥିବା ସ୍ଥଳେ କେନ୍ଦ୍ର ପୂର୍ଣ୍ଣାଙ୍ଗ ବଜେଟ ୨୦୧୯ରେ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ବୃଦ୍ଧି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ନିଉଜପ୍ରିଣ୍ଟ ଦର ଆହୁରି ବଢ଼ିଯିବ । ଏହାର ସୁଯୋଗ ନେଇ ସ୍ଥାନୀୟ ଉତ୍ପାଦକମାନେ ମଧ୍ୟ ଦେଶୀୟ ନିଉଜପ୍ରିଣ୍ଟ ଦର ବୃଦ୍ଧି କରିବା ସ୍ୱାଭାବିକ । ଫଳରେ ସମ୍ୱାଦପତ୍ର ଉତ୍ପାଦନ ବ୍ୟୟ ମଧ୍ୟ ଆନୁପାତିକଭାବେ ବଢ଼ିଯିବ ।


 

ମୁଦ୍ରିତ ସମ୍ୱାଦପତ୍ର ପ୍ରଯୋଜନାରେ ନିଉଜପ୍ରିଣ୍ଟ ସିଂହଭାଗ ଖର୍ଚ୍ଚ ଦାବୀ କରିଥାଏ । ନିଉଜପ୍ରିଣ୍ଟ ଦର ବଢ଼ିଲେ ବ୍ୟୟଭାର ଭରଣା କରିବା ନିମନ୍ତେ ପ୍ରଥମେ ପୃଷ୍ଠା ସଂଖ୍ୟା କମାଇ ଦେବା, ଦ୍ୱିତୀୟରେ ବିଜ୍ଞାପନ ପ୍ରକାଶନ ଦର ବୃଦ୍ଧି ଓ ତୃତୀୟରେ ସମ୍ୱାଦପତ୍ର ବିକ୍ରୀଦର ବୃଦ୍ଧି କରିବାକୁ ପଡ଼ିଥାଏ । ଅପରପକ୍ଷରେ କର୍ମଚ଼ାରୀଙ୍କ ପାଉଣା ହ୍ରାସ ତଥା ପ୍ରସାର ଉନ୍ନୟନ ‘ମାର୍କେଟିଂ’ ପାଇଁ ଖର୍ଚ୍ଚ କାଟ ଇତ୍ୟାଦି ମଧ୍ୟ ଦେଖିବାକୁ ମିଳେ ।


 

ଭାରତରେ ସମ୍ୱାଦପତ୍ର ଗ୍ରାହକ ଚ଼ାନ୍ଦା ସର୍ବନିମ୍ନସ୍ତରରେ ରହିଛି ।  ଏପରିକି ପଡ଼ୋଶୀ ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କାରେ ଦୈନିକ ସମ୍ୱାଦପତ୍ରର ଖଣ୍ଡପିଚ୍ଛା ଦର ପନ୍ଦର ଟଙ୍କା ଯାଏଁ ଧାର୍ଯ୍ୟ ହୋଇଥିବା ସ୍ଥଳେ ଆଞ୍ଚଳିକ ସମ୍ୱାଦପତ୍ରଗୁଡ଼ିକ ପାଞ୍ଚ ଟଙ୍କାରେ ସୀମିତ ରହିଛି । ଅତୀତରେ ବହୁଳ ପ୍ରସାରିତ ସମ୍ୱାଦପତ୍ରଗୁଡ଼ିକ ଖର୍ଚ୍ଚର ପ୍ରାୟ ୯୦ ପ୍ରତିଶତ ବିଜ୍ଞାପନ ଆୟରୁ ଭରଣା ହେଉଥିବା ସ୍ଥଳେ ‘ଫେଡ଼ରେସନ ଅଫ ଚ଼େମ୍ୱର ଅଫ କମର୍ସ ଏଣ୍ଡ ଇଣ୍ଡାଷ୍ଟ୍ରୀଜ’ର ହିସାବ ଅନୁଯାୟୀ ମୁଦ୍ରଣ ଗଣମାଧ୍ୟମରେ ୨୦୧୮ ବେଳକୁ ହାରାହାରି ଭାବେ ବିଜ୍ଞାପନ ଆୟ ୭୧ ପ୍ରତିଶତକୁ ଖସି ଆସିଥିବା ସ୍ଥଳେ ଗ୍ରାହକଚାନ୍ଦା ୨୯ ପ୍ରତିଶତ ଆୟ ଦାବୀ କରୁଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୯ ଜୁଲାଇ ମାସରେ ଉପସ୍ଥାପିତ ଅର୍ଥନୀତିକ ସର୍ବେକ୍ଷଣରେ ଏହି ତଥ୍ୟ ପ୍ରତିଫଳିତ ହୋଇଥିଲା ।


 

ଡ଼ିଜିଟାଲ ମଞ୍ଚର ଲୋକପ୍ରିୟତା ବଢ଼ି ଚାଲିଥିବା ଅବସରରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ବିଜ୍ଞାପନ ଆୟ କ୍ରମଶଃ କମି ଆସିବା ସୁନିଶ୍ଚିତ । ଏପରିକି କେନ୍ଦ୍ର ସରକାରଙ୍କପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଓ ଟେଣ୍ଡର ନୋଟିସ ଇତ୍ୟାଦି ମୁଦ୍ରଣ ବ୍ୟତିରେକେ ଡ଼ିଜିଟାଲ ମଞ୍ଚରେ ପ୍ରକାଶନ ନିମନ୍ତେ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ କମ ପ୍ରସାରିତ ସମ୍ୱାଦପତ୍ରଗୁଡ଼ିକ ପକ୍ଷେ ବିଜ୍ଞାପନ ଦର ବୃଦ୍ଧି ବିପଦପୂର୍ଣ୍ଣ ।


 

ଭାରତରେ ବିଗତ ଶତାଦ୍ଦୀର ଅଷ୍ଟମ ଦଶକରେ ଦେଶର ଅନ୍ୟତମ ଅଗ୍ରଣୀମୁଦ୍ରଣ ପ୍ରକାଶନ ସଂସ୍ଥା ଟାଇମସ ଅଫ ଇଣ୍ଡିଆ ଗୃପ ପକ୍ଷରୁ ସମ୍ୱାଦପତ୍ରର ପ୍ରସାର ବୃଦ୍ଧି ଉଦ୍ଦେଶ୍ୟରେ ଅତି କମ ଦର ‘ଇନଭିଟେସନ ପ୍ରାଇସ’ ଅଭିଯାନ ପ୍ରଚଳନ କରାଯାଇଥିଲା । ଏହାର ମୁକାବିଲା କରିବା ନିମନ୍ତେ ଅନ୍ୟମାନେ ମଧ୍ୟ ସେଭଳି ଅଭିଯାନରେ ଯୋଗ ଦେଇଥିଲେ । ଫଳରେ ଦେଶବ୍ୟାପୀ ତାହାର ପ୍ରଭାବ ପଡିଥିଲା ଏବଂ ବର୍ତ୍ତମାନ ଯାଏଁ ଜାରୀ ରହିଛି । କେବଳ ଇଂଲିଶ ଦୈନିକ ‘ହିନ୍ଦୁ’ ଛଡ଼ା ଅନ୍ୟ କୌଣସି ସମ୍ୱାଦପତ୍ର ଗ୍ରାହକ ଚ଼ାନ୍ଦା ଉଚ୍ଚସ୍ତରକୁ ବଢ଼ାଇବାକୁ ସାହାସ କରୁନାହାନ୍ତି ।


 

ସମ୍ୱାଦପତ୍ର ପୃଷ୍ଠା ହ୍ରାସ, ସାମ୍ୱାଦିକ ନିଯୁକ୍ତି ସଂକୋଚ଼ନ ନୀତି ତଥା ପ୍ରସାରବୃଦ୍ଧି ଅଭିଯାନରୁ କ୍ଷାନ୍ତ ରହିବା ଭଳି ପଦକ୍ଷେପ ସମ୍ୱାଦଶିଳ୍ପ ପରିବର୍ତ୍ତେ ସାମ୍ୱାଦିକତାକୁ ପ୍ରଭାବିତ କରିଥାଏ । ଅର୍ଥାତ ସାମ୍ୱାଦିକତାରମାନ ହ୍ରାସ ପାଏ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ସୁରକ୍ଷାରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ଭୂମିକା ଗୌଣ ହୋଇପଡ଼େ । ଏହିଭଳି ପରିବେଶ ପାଠକୀୟ ସଚ଼େତନତା କିମ୍ୱା ସାମାଜିକ ବିକାଶ ନିମନ୍ତେ ଶୁଭଙ୍କର ନୁହେଁ ।


 

ଆମ ଦେଶରେ ‘ରେଜିଷ୍ଟାରାର ଅଫ ନିଉଜପେପରର୍ସ ଫର ଇଣ୍ଡିଆ’ର ହିସାବ ଅନୁଯାୟୀ ମାର୍ଚ୍ଚ ୨୦୧୮ ସୁଦ୍ଧା ଏକ ଲକ୍ଷ ୧୮ ହଜାର ୨୩୯ ଗୋଟି ସମ୍ୱାଦପତ୍ର ଓ ପତ୍ରପତ୍ରିକା ପଞ୍ଜିକୃତ ହୋଇଥିଲା । ଏଥିମଧ୍ୟରୁ କ୍ଷୁଦ୍ର ପ୍ରକାଶନ ସଂଖ୍ୟା ଅଧିକ । ଏଭଳି ପ୍ରକାଶନଗୁଡ଼ିକ ତୃଣମୂଳସ୍ତରରେ ଗଣତାନ୍ତ୍ରିକ ବିଚ଼ାର ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । କ୍ଷୁଦ୍ର ପ୍ରକାଶନଗୁଡ଼ିକର ଆନୁସଙ୍ଗିକ ବ୍ୟୟ ନଗଣ୍ୟ ଥିବାସ୍ଥଳେ ନିଉଜପ୍ରିଣ୍ଟ ଦରବୃଦ୍ଧି ଅବସରରେ ସେମାନଙ୍କ ପାଇଁ ପୃଷ୍ଠା ଓ ପ୍ରସାର ସଂଖ୍ୟା କମାଇବା ହିଁ ଏକମାତ୍ର ରାସ୍ତା । ଏତଦ୍ୱାରା ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ଖର୍ବ ହୋଇଥାଏ ।


 

ସମାଲୋଚ଼କମାନଙ୍କ ମତରେ ବିଦେଶୀ ନିଉଜପ୍ରିଣ୍ଟର ଆମଦାନୀ ଶୁଳ୍କ ବୃଦ୍ଧି ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ପକ୍ଷେ ଏକ ବଡ଼ ପ୍ରସଙ୍ଗ ହୋଇ ନପାରେ । ସମୟକ୍ରମେ ଏହାର ମୁକାବିଲା ସମ୍ଭବପର । ଗତ ଲୋକସଭା ନିର୍ବାଚ଼ନରେ ଭାରତୀୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଶାସକ ଦଳର ବିଶେଷ ସମାଲୋଚନା କରିନଥିଲେ । ପ୍ରକାରନ୍ତେ ଘନଘନ ବିଜ୍ଞାପନ ଛାପି ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ । ତେଣୁ ସରକାର ଏମାନଙ୍କ ଉପରେ କ୍ଷୁବ୍ଧ ହେବାର କାରଣ ନାହିଁ ।


 

ତେବେ ଜାତୀୟ ଉତ୍ପାଦନକୁ ପ୍ରୋତ୍ସାହନ ନୀତି ତଥା ସ୍ଥାନୀୟ କାଗଜଶିଳ୍ପର ଚାପରେ ଆମଦାନୀ ଶୁଳ୍କ ବୃଦ୍ଧିର ମୂଳକାରଣ ରୂପେ ଚ଼ିହ୍ନଟ କରାଯାଇପାରେ । ବିଦେଶୀ ନିଉଜପ୍ରିଣ୍ଟରେ  ଆମଦାନୀ ଶୁଳ୍କ ବୃଦ୍ଧିକୁ ଇଣ୍ଡିଆନ ନିଉଜପେପର ସୋସାଇଟି, ଏସୋସିଏସନ ଫର ଇଣ୍ଡିଆନ ମେଗାଜିନ୍ସ ଭଳି ସଂସ୍ଥାଗୁଡ଼ିକ ପକ୍ଷରୁ ବିରୋଧ କରାଯାଇ ପୁନଃବିଚ଼ାର ପାଇଁ ନିବେଦନ କରାଯାଇଛି । କେତେକଙ୍କ ମତରେ କେନ୍ଦ୍ର ସରକାରଙ୍କ ଏକ୍ଷେତ୍ରରେ ପୁନଃବିଚ଼ାର ନଜିର ରହିଛି ଏବଂ ସଂଭବତଃ ଏହି ଶୁଳ୍କ ବୃଦ୍ଧି ହଟାଯାଇପାରେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୨ ଜୁଲାଇ ୨୦୧୯


ତଥ୍ୟ :


INS seeks withdrawal of 10% duty on newsprint. July 09, 2019


 

<www.economictimes.indiatimes.com/industry/meida/entertainment/media/ins-seeks-withdrawal-of-10-duty-on-newsprint/articleshow/70136960.cms>


 

Double whammy for print : Assoc of Indian Magazines. mxmindia.com. July 08, 2019


 

<https://www.mxmindia.com/2019/07/double-whammy-for-print-assoc-of-indian-magazines/>


 

Maheshwari, Pradyuman. Time for newspaper to up cover price ! mxmindia.com. July 08, 2019.


 

<https://www.mxmindia.com/2019/07/time-for-newspapers-to-up-cover-price/>


 

Hike on newsprintduty an attack on individual freedom. thehansindia.com. July 08, 2019.


 

<https://www.thehansindia.com/editors-desk/hike-on-newsprint-duty-an-attack-on-individual-freedom-544706>


 

Saxena, Nishant. Spotlight: Newsprint price sees 40% hike, industry worried. Exchange4media.com. March 26, 2018.


 

<https://www.exchange4media.com/spotlight-news/spotlightnewsprint-price-sees-40hikeindustry-worried-89083.html>


 

M&E in the Economic Survey. mxmindia.com. July 05, 2019.


 

<https://www.mxmindia.com/2019/07/me-in-the-economic-survey/> 

ପାରମ୍ପରିକ ଗଣମାଧ୍ୟମରେ ବିଘଟନର ମୁକାବିଲା

ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ଭାରତରେ ମୋବାଇଲ ସ୍ମାର୍ଟଫୋନର ବ୍ୟାପ୍ତି ତୃତୀୟ ଦଶକରେ ପାରମ୍ପରିକ ଗଣମାଧ୍ୟମ ‘ଲିଗାସି ମିଡ଼ିଆ’ ମଞ୍ଚଗୁଡ଼ିକରେ ବଡ଼ ଧରଣର ବିଘଟନ ‘ଡିସରାପସନ’ ଘଟାଇବା ଆଶଙ୍କା ପ୍ରକାଶ ପାଇଛି । ଦେଶରେ ମୋବାଇଲ ଇଣ୍ଟରନେଟର ବ୍ୟବହାରରେ ଅଭିବୃଦ୍ଧି ବିଶ୍ୱରେ ଅନ୍ୟତ୍ର ବିରଳ ବୋଲି କୁହାଯାଇଥାଏ । ଏହି ଧାରା ନିକଟ ଭବିଷ୍ୟତରେ ବଳବତ୍ତର ରହିବା ବିଶ୍ୱାସ କରାଯାଏ ।


 

ମ୍ୟାକ-କିନସେ ଗ୍ଳୋବାଲ ଇନଷ୍ଟିଟିଉଟ ଦ୍ୱାରା ୨୦୧୯ ମାର୍ଚ୍ଚ ମାସର ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ୨୦୧୪ ସୁଦ୍ଧା ପ୍ରତି ଶହେ ଜଣ ଭାରତୀୟଙ୍କ ମଧ୍ୟରେ ୫.୪ ପ୍ରତିଶତ ସ୍ମାର୍ଟଫୋନ ବ୍ୟବହାର କରୁଥିବା ସ୍ଥଳେ ୨୦୧୮ ବେଳକୁ ତାହା ୨୬.୨କୁ ବୃଦ୍ଧି ପାଇଥିଲା । ୨୦୧୯ ଶେଷ ସୁଦ୍ଧା ପ୍ରାୟ ୫୨ କୋଟି ସ୍ମାର୍ଟଫୋନ ବ୍ୟବହୃତ ହେଉଥିବା ଏବଂ ୨୦୨୨ ବେଳକୁ ୯୦ କୋଟିକୁ ବୃଦ୍ଧି ପାଇବା ଆକଳନ କରାଯାଏ ।


 

ସେହିପରି ଇଣ୍ଟରନେଟ ଡ଼ାଟା ବ୍ୟବହାର ଓ ସୋସିଆଲ ମିଡ଼ିଆରେ ଉପସ୍ଥିତି ମଧ୍ୟ ବିପୁଳ ପରିମାଣରେ ବୃଦ୍ଧି ପାଇଛି । ଭାରତୀୟ ଉପଭୋକ୍ତାମାନେ ୨୦୧୪ ସୁଦ୍ଧା ମାସିକ ହାରାହାରି ୮୬ ମେଗାବାଇଟ ଡ଼ାଟା ବ୍ୟବହାର କରୁଥିବା ସ୍ଥଳେ ୨୦୧୮ରେ ତାହା ୮,୩୨୦ ମେଗାବାଇଟ ପହଞ୍ଚିଥିଲା । ସାଧାରଣ ଉପଭୋକ୍ତା ସପ୍ତାହରେ ପ୍ରାୟ ୧୭ ଘଣ୍ଟା ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଉପସ୍ଥିତି ଇଣ୍ଟରନେଟ କ୍ଷେତ୍ରରେ ନେତୃତ୍ୱ ନେଉଥିବା ଉଭୟ ଚୀନ ଓ ଯୁକ୍ତରାଷ୍ଟ୍ର ଆମେରିକାର ପରିସଂଖ୍ୟାନଠାରୁ ଅଧିକ ସାବ୍ୟସ୍ତ ହୋଇଛି ।


 

ଦ୍ୱିତୀୟ ଦଶକ ମଧ୍ୟଭାଗରେ କାରିଗରୀ କୌଶଳର ବିକାଶ ତଥା ସରକାରୀସ୍ତରରେ ଡ଼ିଜିଟାଲ ଅନୁକୂଳ ପ୍ରଶାସନିକ ନୀତି ନିର୍ଦ୍ଧାରଣ ଦେଶରେ ଯୋଗାଯୋଗ ପରିଧିରେ ବ୍ୟାପକ ପରିବର୍ତ୍ତନରେ ସହାୟତା କରିଥିଲା । ଜନସାଧାରଣଙ୍କ ମଧ୍ୟରେ କ୍ରମବିକାଶିତ ଡ଼ିଜିଟାଲ ସଂସ୍କୃତି ସାମାଜିକସ୍ତରରେ ଅନ୍ୟାନ୍ୟ ବିଷୟ ସହିତ ସମ୍ୱାଦ ଆହରଣ ଅଭ୍ୟାସକୁ ମଧ୍ୟ ପ୍ରଭାବିତ କରିବା ବିଶ୍ୱାସ ଯୁକ୍ତିଯୁକ୍ତ । ଓଡ଼ିଆ ସମ୍ୱାଦ ପ୍ରସାରଣ କ୍ଷେତ୍ରରେ ଡ଼ିଜିଟାଲ ମଞ୍ଚ ୨୦୨୦ ସୁଦ୍ଧା ଗୁରୁତ୍ୱ ବହନ କରିନଥିଲେ ସୁଦ୍ଧା ତୃତୀୟ ଦଶକରେ ପରାକ୍ରମଶାଳୀ ମାଧ୍ୟମ ରୂପେ ଗଢ଼ି ଉଠିବା ସ୍ୱାଭାବିକ ।


 

ଡ଼ିଜିଟାଲ ବିପ୍ଳବ କାରଣରୁ ପାଶ୍ଚାତ୍ୟ ଭୂଖଣ୍ଡରେ ବହୁଳ ପ୍ରସାରିତ ମୁଦ୍ରିତ ସମ୍ୱାଦପତ୍ର ବ୍ୟବସାୟରେ ବିଂଶ ଶତାଦ୍ଦୀର ଶେଷ-ଦଶକ ଆରମ୍ଭରୁ ତିନି ଦଶକ ଧରି ବ୍ୟାପକ ବିଘଟନ ସୂତ୍ରପାତ ହୋଇଛି । ସେଠାକାର ବ୍ୟାବସାୟିକ ମଡ଼େଲ ତୁଳନାରେ ଓଡ଼ିଶାର ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ବ୍ୟାବସାୟିକ ମଡ଼େଲ ଭିନ୍ନ । ଆମ ରାଜ୍ୟରେ ପ୍ରକାଶିତ କ୍ଷୁଦ୍ର ସମ୍ୱାଦପତ୍ରର ସଂଖ୍ୟା ଅଧିକ ଏବଂ ଏଭଳି ସମ୍ୱାଦପତ୍ରଗୁଡ଼ିକ ବ୍ୟାବସାୟିକ ବିଜ୍ଞାପନ ଆୟ କିମ୍ୱା ଗ୍ରାହକ ଚାନ୍ଦା ବ୍ୟତିରେକେ ସରକାରୀ ବିଜ୍ଞାପନ ତଥା ବ୍ୟକ୍ତିବିଶେଷଙ୍କ ଅନୁଦାନ ଉପରେ ନିର୍ଭରଶୀଳ । ଏହିଭଳି କାରଣଗୁଡ଼ିକ ବିଚାରକୁ ନେଲେ ଡ଼ିଜିଟାଲ ମଞ୍ଚର ଅଭ୍ୟୁଦୟ ଫଳରେ ବିଦେଶରେ ସଂଘଟିତ ବିଘଟନ ଓଡ଼ିଶାରେ ପ୍ରଭାବଶୂନ୍ୟ ବିବେଚନା କରାଯାଇପାରେ ।


 

ଓଡ଼ିଆ ଭାଷାରେ ପ୍ରକାଶିତ ୮୩ ଗୋଟି ଦୈନିକ ସମ୍ୱାଦପତ୍ର ମଧ୍ୟରେ ଅଧ ଡ଼ଜନେ ବହୁଳ ପ୍ରସାରିତ ଓ ଅନ୍ୟ ଅଧ ଡ଼ଜନେ ସୀମିତ ପ୍ରସାରିତ ସମ୍ୱାଦପତ୍ର ନଜରକୁ ଆସେ । ଅନ୍ୟ ୭୧ ଗୋଟି ଦୈନିକ ସମ୍ୱାଦପତ୍ର ରାଜ୍ୟର ଅଧିକାଂଶ ସହରରେ ଦୁର୍ଲଭ ଏବଂ ସେମାନଙ୍କ ବ୍ୟାବସାୟିକ ମଡ଼େଲ ଅଧ୍ୟୟନ ପରିସରକୁ ଆସେ ନାହିଁ । ଓଡ଼ିଶାରେ ଅନ୍ତତଃ ଡ଼ଜନେ ଦୈନିକ ସମ୍ୱାଦପତ୍ର ପାଠକ ସମାଜରେ ନିଜର ସ୍ଥିତି ଜାହିର କରିବା ନିମନ୍ତେ ଉଦ୍ୟମ କରୁଥିବା ଅବସରରେ ରାଜ୍ୟରେ ଡ଼ିଜିଟାଲ ମଞ୍ଚଗୁଡ଼ିକର ବିକାଶ ଓ ଉପଭୋକ୍ତାଙ୍କ ସଂପୃକ୍ତି କାରଣରୁ ସେମାନଙ୍କ ସଂପାଦକୀୟ ନୀତି ଓ ବ୍ୟାବସାୟିକ ମଡ଼େଲରେ ପରିବର୍ତ୍ତନ ନିମନ୍ତେ ୨୦୨୦ ଏକ ପ୍ରକୃଷ୍ଟ ସମୟ ।


 

ଓଡ଼ିଆ ଦୈନିକ ସମ୍ୱାଦପତ୍ରଗୁଡ଼ିକ ମଧ୍ୟରୁ ଯେଉଁ ପ୍ରକାଶକମାନେ ଦୀର୍ଘସ୍ଥାୟୀ ପ୍ରକାଶନ ଯୋଜନା ପ୍ରଣୟନରେ ଆଗ୍ରହୀ ସେମାନଙ୍କୁ ପରବର୍ତ୍ତିତ ପରିବେଶ ସହ ମୁକାବିଲା କରିବା ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ କରିବାକୁ ପଡ଼ିବ । ପାରମ୍ପରିକ ରୀତିରେ ରାଜ୍ୟରେ ସମ୍ୱାଦପତ୍ର ପ୍ରତିଷ୍ଠାନଗୁଡ଼ିକରେ ଲିଖିତ ବ୍ୟାବସାୟିକ କିମ୍ୱା ଲିଖିତ ସମ୍ପାଦକୀୟ ନୀତି ଉପଲବ୍ଧ ନଥାଏ । ସର୍ବାଗ୍ରେ ସେଥିପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ ।


 

ପ୍ରଥମତଃ, ପ୍ରକାଶକ ଓ ସଂପାଦକମାନେ କେଉଁ ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ ସଂବାଦପତ୍ର ପ୍ରକାଶନ କିମ୍ୱା ସମ୍ପାଦନା କରୁଛନ୍ତି ତାହା ନିର୍ଦ୍ଧାରଣ କରି ଲିପିବଦ୍ଧ ଦଲିଲ ଅନ୍ତତଃପକ୍ଷେ ସଂପୃକ୍ତ ସମ୍ୱାଦପତ୍ରର ବରିଷ୍ଠ କର୍ମଚାରୀମାନଙ୍କୁ ଅବଗତ କରାଇବା ଏକ ମୌଳିକ ଆବଶ୍ୟକତା । ସେହିପରି ନିର୍ଦ୍ଧାରିତ ଲକ୍ଷ୍ୟ କେତେଦୂର ସଫଳତା ହାସଲ କରିପାରୁଛି ତାହା ସାମୟିକଭାବେ ସମୀକ୍ଷା ନକରାଯାଇ କାର୍ଯ୍ୟଧାରା ସଂଶୋଧନ ନକରାଗଲେ ଅଗ୍ରଗତି ସମ୍ଭବପର ହୋଇପାରିନଥାଏ ।


 

ସର୍ବୋପରି ଲିଖିତ ଦସ୍ତାବିଜ ଅଭାବରୁ ଆମେ କ’ଣ କରିବାକୁ ଚାହୁଁଛୁ, କ’ଣ କରୁଛୁ କିମ୍ୱା କ’ଣ କରିବା ଉଚିତ ଆଲୋଚ଼ିତ ହୋଇପାରେ ନାହିଁ । ବିକାଶକାମୀ ପ୍ରତ୍ୟେକ ସମ୍ୱାଦପତ୍ର ଲିଖିତ ବ୍ୟାବସାୟିକ ଓ ସମ୍ପାଦକୀୟ ଦସ୍ତାବିଜ ପ୍ରସ୍ତୁତିକୁ ପ୍ରାଥମିକତା ଦେବା ଆବଶ୍ୟକ । ଏହା ଅତ୍ୟନ୍ତ ସାଧାରଣ ବୋଧ ହେଉଥିଲେହେଁ ସମ୍ୱାଦପତ୍ର ପରିଚାଳନା ନିୟନ୍ତ୍ରଣରେ ଅସାଧାରଣ ପ୍ରଭାବ ବିସ୍ତାର କରିଥାଏ ।


 

ଅଧିକାଂଶ ଓଡ଼ିଆ ସମ୍ୱାଦପତ୍ର ପ୍ରକାଶକ ଓ ସମ୍ପାଦକ ବ୍ୟବସାୟ ଓ ସମ୍ପାଦନାକ୍ଷେତ୍ରରେ ଓଡ଼ିଶାରେ ପ୍ରଚଳିତ ମଡ଼େଲ, ଅର୍ଥାତ ଅନ୍ୟ ସମ୍ୱାଦପତ୍ରଗୁଡ଼ିକ ଯେଉଁଧାରାରେ ଚାଲିଛନ୍ତି ତାହାରନକଲ କରିଥାନ୍ତି । ଏହି ଆଭିମୁଖ୍ୟ ସେଭଳି ଅନୁଗାମୀ ପ୍ରକାଶନଗୁଡ଼ିକୁ ହୁଏତ କିଛି କାଳ ବଞ୍ଚାଇ ରଖିପାରେ, କିନ୍ତୁ ଅନ୍ୟମାନଙ୍କୁ ପଛରେ ପକାଇ ବଢ଼ିବାରେ ସହାୟକ ହୁଏନାହିଁ । ପ୍ରତିବେଶୀ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ସମ୍ୱାଦପତ୍ର ତଥା ଅନ୍ୟାନ୍ୟ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଅନୁସୃତ ସଫଳ ମଡ଼େଲଗୁଡ଼ିକର ସ୍ଥାନୀୟ ସଂସ୍କରଣ ପ୍ରଯୋଜନା ଉନ୍ନତିର ପଥ ଉନ୍ମୋଚନ କରେ । ସମ୍ୱାଦପତ୍ରଗୁଡ଼ିକ କ୍ରମାଗତଭାବେ ତ୍ରୈୟମାସିକଭିତ୍ତିରେ ନୂତନ ଯୋଜନାମାନ ପ୍ରଣୟନ ନିମନ୍ତେ କର୍ମଚାରୀମାନଙ୍କ ଗହଣରେ ବିଚାରବିମର୍ଷ କରିବା ଦ୍ୱିତୀୟ ମୁଖ୍ୟ ନିଷ୍ପତ୍ତି ।


 

ତୃତୀୟତଃ, ପ୍ରତ୍ୟେକ ସମ୍ୱାଦପତ୍ର ନିଜ ବ୍ୟାବସାୟିକ ଆଙ୍ଗୀକ ଓ ସମ୍ପାଦନା ଶୈଳୀରେ ବିଭିନ୍ନ ତୃଟିବିଚ୍ୟୁତି ସଂପର୍କରେ ସଚ଼େତନ ଥାନ୍ତି । ତେବେ ସେଗୁଡ଼ିକୁ ସୁଧାରିବା ନିମନ୍ତେ କେବେ ବିଧିବଦ୍ଧ ଉଦ୍ୟମ କରାଯାଏ ନାହିଁ । ସମୟକ୍ରମେ ଛୋଟ ଛୋଟ ନକାରାତ୍ମକ ତତ୍ତ୍ୱ ସମ୍ମିଳିତ ହୋଇ ସମ୍ୱାଦପତ୍ର ନିମନ୍ତେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥାଏ । ଅତଏବ ପ୍ରଥମେ ସେଭଳି ସମସ୍ୟାଗୁଡ଼ିକ ଚ଼ିହ୍ନଟ କରି ତୁରନ୍ତ ସମାଧାନ କରିବା ନିମନ୍ତେ ଉଦ୍ୟମ କରାଯିବା ଆବଶ୍ୟକ । ପ୍ରତି ମାସରେ ଥରେ ସମ୍ୱାଦପତ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଗହଣରେ ଏସଂପର୍କରେ ଖୋଲା ବୈଠକରେ ଆଲୋଚନା କଲେ ପ୍ରତ୍ୟେକ କର୍ମଚାରୀ ସଂଶୋଧନ ପ୍ରକ୍ରିୟା ସାମିଲ ଥିବା ହେତୁ ତୁରନ୍ତ ସଫଳତା ଆଶା କରାଯାଇପାରେ ।


 

ଚତୁର୍ଥତଃ, ଡ଼ିଜିଟାଲ ମଞ୍ଚର ଲୋକପ୍ରିୟତାରେ ଉପଭୋକ୍ତାଙ୍କ ରୁଚ଼ି ସ୍ମାର୍ଟଫୋନ ଓ ଭିଡ଼ିଓ ଆଡ଼କୁ ଢଳୁଥିବା ହେତୁ ଛୋଟବଡ଼ ସମସ୍ତ ସମ୍ୱାଦପତ୍ର ମୋବାଇଲଫାଷ୍ଟ ଆଭିମୁଖ୍ୟ ଗ୍ରହଣ କରିବା ନିମନ୍ତେ ବାଧ୍ୟ । ପ୍ରତ୍ୟେକ ସମ୍ୱାଦପତ୍ର ନିଜସ୍ୱ ମୋବାଇଲଫାଷ୍ଟ ନୀତି ନିର୍ଦ୍ଧାରଣ କରିବାପରେ କାର୍ଯ୍ୟରତ ସମ୍ୱାଦଦାତା, ସମ୍ପାଦକୀୟ ଓ ବିଜ୍ଞାପନ ବିଭାଗୀୟ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରି ନିଜ ନିଜ ସମ୍ୱାଦପତ୍ର ନିମନ୍ତେ ଡ଼ିଜିଟାଲ ମଞ୍ଚ ଗଢ଼ି ତୋଳିବାକୁ ସମୟଭିତ୍ତିକ ଯୋଜନା କାର୍ଯ୍ୟକାରୀ କରିବା ଆବଶ୍ୟକ । ସମ୍ୱାଦପତ୍ର କ୍ଷେତ୍ରରେ ମୂଳଭିତ୍ତି ସମ୍ୱାଦ ସଂଗ୍ରହ, ସମ୍ପାଦନା ଓ ପ୍ରସାରକୁ ନେଇ ଗଢ଼ି ଉଠୁଥିବା ହେତୁ ମୁଦ୍ରଣ ସାଥେ କେବଳ ଆଙ୍ଗୀକ ପରିବର୍ତ୍ତନ ଦ୍ୱାରା ଡ଼ିଜିଟାଲ ମଞ୍ଚ ପ୍ରଯୋଜନା ସହଜସାଧ୍ୟ ।


 

ପଞ୍ଚମତଃ, ମୁଦ୍ରିତ ଦୈନିକ ସମ୍ୱାଦପତ୍ରର ବ୍ୟାବସାୟିକ ଓ ସମ୍ପାଦନା ମଡ଼େଲଗୁଡ଼ିକ ଦୀର୍ଘକାଳ ବ୍ୟବହାରପରେ ସୁଦୃଢ଼ ହୋଇସାରିଥିବା ଅବସରରେ ସେଗୁଡ଼ିକର ପରିବର୍ତ୍ତନ ସମୟସାପେକ୍ଷ । ରାଜ୍ୟର ସମ୍ୱାଦପତ୍ରଗୁଡ଼ିକ ୨୦୧୮ ଯାଏଁ ବ୍ୟାବସାୟିକ ବିଜ୍ଞାପନ ଓ ୨୦୧୯ରେ ନିର୍ବାଚନଜନିତ ବିଜ୍ଞାପନକୁ ନେଇ ଯେଉଁ ଅର୍ଥନୀତି ଉପଭୋଗ କରି ଆସିଥିଲେ ତାହା ହୁଏତ ୨୦୨୦ରେ ସମ୍ଭବପର ହୋଇନପାରେ । ବିଜ୍ଞାପନ ପ୍ରଲୋଭନରେ ସମ୍ୱାଦପତ୍ରଗୁଡ଼ିକୁ କରାୟିତ କରିବା ପରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ସରକାରୀ ବିଜ୍ଞାପନ ବ୍ୟୟ ହୁଏତ ସଂକୁଚିତ ହୋଇପାରେ । ଡ଼ିଜିଟାଲ ପ୍ରଶାସନିକ ବ୍ୟବସ୍ଥାରେ ସରକାରୀ ବର୍ଗୀକୃତ ବିଜ୍ଞାପନ ‘କ୍ଳାସିଫାଇଡ଼ ଏଡ଼ଭାଟାଇଜମେଣ୍ଟ’ କ୍ରମଶଃ ଡ଼ିଜିଟାଲ ମଞ୍ଚକୁ ସ୍ଥାନାନ୍ତରିତ ହେଲାଣି । ଆସନ୍ତା ୨୦୨୨ ସୁଦ୍ଧା ଦେଶର ୯୦ କୋଟି ଜନସାଧାରଣଙ୍କ ହାତପାଆନ୍ତାରେ ମୋବାଇଲ ଇଣ୍ଟରନେଟ ପହଞ୍ଚୁଥିବା ଅବସରରେ ହୁଏତ ନିକଟ ଭବିଷ୍ୟତରେ ମୁଦ୍ରିତ ଦୈନିକ ସମ୍ୱାଦପତ୍ର ଗୁରୁତ୍ୱ ହରାଇପାରେ ।


 

ପରିବର୍ତ୍ତିତ ପରିବେଶରେ ସମ୍ୱାଦପତ୍ର ପ୍ରକାଶନ ଗ୍ରାହକଚାନ୍ଦା କିମ୍ୱା ବଦାନ୍ୟତା ଆଶ୍ରିତ ହେବା ବିଶ୍ୱାସ କରାଯାଇଥାଏ । ପାଶ୍ଚାତ୍ୟ ଭୂଖଣ୍ଡରେ ଏଭଳି ମଡ଼େଲଗୁଡ଼ିକ ସଫଳତା ହାସଲ କରିଥିବା ସ୍ଥଳେ ଓଡ଼ିଶାରେ ତାହାର ଆଞ୍ଚଳିକ ସଂସ୍କରଣ ପ୍ରସ୍ତୁତ କରିବା ସମୟସାପେକ୍ଷ । ଏଥି ନିମନ୍ତେ ପୂର୍ବପ୍ରସ୍ତୁତି ଅପରିହାର୍ଯ୍ୟ ।


 

ସମ୍ୱାଦପତ୍ର ଗ୍ରାହକଚାନ୍ଦା ଆଶ୍ରିତ ହେଲେ କ୍ଷୁଦ୍ର ସମ୍ୱାଦପତ୍ରଗୁଡ଼ିକ ନିଜର ପ୍ରସାର ସଂଖ୍ୟା ବୃଦ୍ଧି ଉପରେ ନିର୍ଭରଶୀଳ ହେବେ । ପାଠକ ବୃଦ୍ଧି ନିମନ୍ତେ ସମ୍ପାଦକୀୟ ନୀତିର ପୁନଃବିନ୍ୟାସ ଜରୁରି ହୋଇପଡ଼ିବ । ପାଠକୀୟ ରୁଚ଼ି ଚରିତାର୍ଥ କଳ୍ପେ ପଠନ ଉପଯୋଗୀ ସମ୍ୱାଦ ରଚନା ନିମନ୍ତେ ସାମ୍ୱାଦିକମାନଙ୍କ କାର୍ଯ୍ୟଧାରା ବଦଳିବାକୁ ପଡ଼ିବ । ଏହଭଳି ପରିବର୍ତ୍ତନ ନିମନ୍ତେ ପାଠକ ପ୍ରଭାବିତ ଓ ବିଷୟକେନ୍ଦ୍ରୀକ ସାମ୍ୱାଦିକତାର ଦୀର୍ଘମିଆଦୀ ଯୋଜନା ଆବଶ୍ୟକ ।

 

ପାରମ୍ପରିକ ଗଣମାଧ୍ୟମରେ ଡ଼ିଜିଟାଲ ମଞ୍ଚର ଆବିର୍ଭାବରେ ସମ୍ଭାବ୍ୟ ବିଘଟନର ମୁକାବିଲାକୁ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକ ସମସ୍ୟା ବଦଳରେ ଏକ ସୁଯୋଗ ରୂପେ ଗ୍ରହଣ କରିବା ବାଞ୍ଛନୀୟ । ସଭିଏଁ ଏଯାଏଁ ପୁରୁଣା ମଡ଼େଲରେ କାର୍ଯ୍ୟକରି ଚଳି ଯାଉଛନ୍ତି ପ୍ରବୋଧନାତ୍ମକ ମନୋଭାବ ପରିତ୍ୟାଗ କରିବା ସମୟ ଉପନୀତ । ଦୀର୍ଘକାଳରୁ ସ୍ଥାଣୁପ୍ରାୟ ପଡ଼ି ରହିଥିବା ସମ୍ୱାଦପତ୍ର ବ୍ୟାବସାୟିକ ଓ ସମ୍ପାଦକୀୟ ନୀତିରେ ପରିବର୍ତ୍ତନ ଓଡ଼ିଆ ସାମ୍ୱାଦିକତା କ୍ଷେତ୍ରରେ ପୁନଃଜାଗରଣର ପଥ ପ୍ରଶସ୍ତ କରିପାରେ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜାନୁୟାରୀ ୨୦୨୦


ତଥ୍ୟ :


Radio Television Digital News Association 2020. Resolutions for your news room. December 18, 2019. 


www.rtdna.org/article/2020_resolutions-for-your-newsroom


ଖେଳରେ ନୂଆ ନିୟମ 

‘ଖେଳ’କୁ ଗଣମାଧ୍ୟମ ଓ ମନୋରଞ୍ଜନ ବ୍ୟବସାୟର ରୂପକ ଭାବେ ଗ୍ରହଣ କଲେ ମହାମାରୀରେ ସେଥିରେ ନୂଆ ନିୟମମାନ ପ୍ରବର୍ତ୍ତିତ ହେବାରେ ଲାଗିଥିବା କୁହାଯାଉଛି । ‘ଫଡ଼ରେସନ ଅଫ ଇଣ୍ଡିଆନ ଚେମ୍ୱର୍ସ ଅଫ କମର୍ସ ଏଣ୍ଡ ଇଣ୍ଡାଷ୍ଟ୍ରୀ (ଫିକି)’ ଆନୁକୂଲ୍ୟରେ ଆନ୍ତର୍ଜାତିକ ବ୍ୟାବସାୟିକ ଗବେଷଣା ସଂସ୍ଥା ‘ଏର୍ନଷ୍ଟ ଏଣ୍ଡ ୟଙ୍ଗ ଗ୍ଳୋବାଲ ଲିମିଟେଡ଼’ ସହଯୋଗରେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପର ବାର୍ଷିକ ବିବରଣୀ ୨୦୨୧ ମାର୍ଚ୍ଚ ଶେଷ ସପ୍ତାହରେ ପ୍ରକାଶିତ ହୋଇଥିଲା । ‘ପ୍ଳେଇଙ୍ଗ ବାଇ ନ୍ୟୂ ରୁଲସ’ ଶୀର୍ଷକ ରିପୋର୍ଟରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ୨୦୧୯ ତୁଳନାରେ ୨୦୨୦ ଓ ୨୦୨୧ରେ ବ୍ୟାପକ ବ୍ୟବସାୟ ହ୍ରାସ ସାଙ୍ଗକୁ ୨୦୨୩ରେ ସୃଷ୍ଟ ମାନ୍ଦାବସ୍ଥା ତ୍ୱରାନ୍ୱିତ ହେବା ପୂର୍ବାନୁମାନ କରାଯାଇଛି ।


 

ସାମଗ୍ରୀକଭାବେ ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପର ବ୍ୟବସାୟ ୨୦୧୯ ତୁଳନାରେ ୨୦୨୦ରେ ୨୪ ପ୍ରତିଶତ ହ୍ରାସ ପାଇଥିବା ସ୍ଥଳେ ୨୦୨୦ ତୁଳନାରେ ୨୦୨୧ରେ ୨୫ ପ୍ରତିଶତ ବୃଦ୍ଧି ଆଶା କରାଯାଉଛି । ତେବେ ୨୦୧୯ ସହ ୨୦୨୦, ୨୦୨୧ ଓ ୨୦୨୩ର ବ୍ୟାବସାୟିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ମୁଦ୍ରଣ ଓ ରେଡ଼ିଓ କ୍ଷେତ୍ରରେ ୨୦୨୩ର ବ୍ୟବସାୟ ୨୦୧୯ର ବ୍ୟବସାୟଠାରୁ କମ ରହିବ । ଅର୍ଥାତ ମହାମାରୀ-ପୂର୍ବାବସ୍ଥା ଆଉ ଫେରିବ ନାହିଁ । ଚଳଚ଼ିତ୍ର ଶିଳ୍ପରେ ୨୦୨୦ ଓ ୨୦୨୧ରେ ବ୍ୟବସାୟ ମାନ୍ଦା ରହିଲେ ହେଁ ୨୦୨୩ ବେଳକୁ ୨୦୧୯ରେ ବ୍ୟବସାୟ ତୁଳନାରେ ଢ଼େର ଅଧିକ ବଢ଼ିବ । ଡ଼ିଜିଟାଲ ମଞ୍ଚରେ କ୍ରମାଗତ ବ୍ୟବସାୟ ବୃଦ୍ଧି ହିସାବ କରାଯାଉଥିବା ଏବଂ ଟେଲିଭିଜନ ୨୦୨୩ରେ ଡ଼ିଜିଟାଲ ତୁଳନାରେ ଦୁଇଗୁଣ ବ୍ୟବସାୟ ଆଶା କରାଯାଉଛି ।


 

ମୁଦ୍ରଣ ଶିଳ୍ପ, ମୁଖ୍ୟତଃ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ବ୍ୟବସାୟ ହ୍ରାସ ଉଦବେଗର କାରଣ । ବୈଷୟିକ କାରିଗରୀ କୌଶଳ ବିକାଶରେ ଡ଼ିଜିଟାଲ ମଞ୍ଚ ପ୍ରଚଳନ ଏବଂ ଅଡ଼ିଓ, ଭିଡ଼ିଓ ଓ ମଲଟିମିଡ଼ିଆ ଉପଯୋଗ ହେତୁ ପାଠକ ଅପସାରଣ ସହ ବହୁଳ-ପାଠକ-ଭିତ୍ତିକ ବିଜ୍ଞାପନ ରାଜସ୍ୱ ହ୍ରାସ ଏକ ତ୍ରିଶଙ୍କୁ ଅବସ୍ଥା ସୃଷ୍ଟି କରିଛି । ମୁଦ୍ରଣ ଶିଳ୍ପରେ ୨୦୧୯ରେ ୨୯ ହଜାର ୬ ଶହ କୋଟି ଟଙ୍କା ବ୍ୟବସାୟ ହୋଇଥିବା ସ୍ଥଳେ ୨୦୨୦ରେ ମହାମାରୀ ହେତୁ ୧୯ ହଜାର କୋଟିକୁ ଖସି ଆସିଥିଲା । ତେବେ ୨୦୨୧ରେ ୨୩ ହଜାର ୭ ଶହ ଏବଂ ୨୦୨୩ରେ ୨୫ ହଜାର ୮ ଶହ କୋଟି ଟଙ୍କା ବ୍ୟବସାୟ ପୂର୍ବାନୁମାନ କରାଯାଇଥିଲା । ସମୁଦାୟ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପର ବ୍ୟବସାୟ ୨୦୧୯ରେ ଏକ ଲକ୍ଷ ୮୨ ହଜାର ତିନି ଶହ କୋଟି ଥିବା ସ୍ଥଳେ ୨୦୨୩ରେ ଦୁଇ ଲକ୍ଷ ୨୩ ହଜାର ପାଞ୍ଚ ଶହ କୋଟିରେ ପହଞ୍ଚିବା ଆଶା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୁଦ୍ରଣ ଶିଳ୍ପ ଅତ୍ୟନ୍ତ ପଛୁଆ ହୋଇ ପଡ଼ିବ। ସନ୍ଦେହ ଘନୀଭୂତ ହୋଇଥିଲା ।


 

ମୁଦ୍ରଣ ଶିଳ୍ପରେ ମାନ୍ଦାବସ୍ଥା ଦେଖାଯିବା ହେତୁ ମୁଦ୍ରଣ ଶିଳ୍ପ ବ୍ୟବସାୟୀଗଣ ଟେଲିଭିଜନ, ଚଳଚ଼ିତ୍ର ଓ ଡିଜିଟାଲ ସମେତ ଅନ୍ୟାନ୍ୟ କ୍ରମବିକଶିତ ଶିଳ୍ପ ପ୍ରତି ଆକର୍ଷିତ ହେବା ସ୍ୱାଭାବିକ । ତେବେ ଓଡ଼ିଶା ଭଳି ବଜାରରେ ମୁଦ୍ରିତ ଦୈନିକ ସମ୍ୱାଦପତ୍ର ସଂଖ୍ୟା କମିଯିବା ଏବଂ ସାମ୍ୱାଦିକତାରେ ଗୁଣାତ୍ମକ ଅଭିବୃଦ୍ଧି ଆଶା କରାଯାଇପାରେ । ନିକଟ ଭବିଷ୍ୟତରେ ଟେଲିଭିଜନ ଓ ଡିଜିଟାଲ ମଞ୍ଚ ସମ୍ୱାଦ ଶିଳ୍ପରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିବା ପରେ ସଂଖ୍ୟାଧିକ ମୁଦ୍ରିତ ଦୈନିକ ସମ୍ୱାଦପତ୍ର ବ୍ୟବସାୟରେ ସଫଳତା ହାସଲ କରିପାରୁନଥିବା ସ୍ଥଳେ ରାଜନୀତିକ ପୃଷ୍ଠପୋଷକତା ମଧ୍ୟ ହରାଇବା ଆଶଙ୍କା କରାଯାଇପାରେ । ମୁଦ୍ରିତ ପୃଷ୍ଠା ମାଧ୍ୟମରେ ଲୋକଙ୍କ ପାଖେ ନପହଞ୍ଚି ପାରୁଥିବା କାରଣରୁ ଦୃଶ୍ୟ-ଶ୍ରାବ୍ୟ ମଞ୍ଚଗୁଡ଼ିକ ପ୍ରତି କ୍ରମଶଃ ପୃଷ୍ଠପୋଷକଗଣ ଆକର୍ଷିତ ହେବେ ।


 

ଅପରପକ୍ଷେ ଅଭିମତ ‘ଓପିନିୟନ’, ଅନୁଶୀଳନ ‘ଏନାଲିଟିକାଲ’, ଅନୁସନ୍ଧାନ ‘ଇନଭେଷ୍ଟିଗେଟିଭ’ ତଥା ଲକ୍ଷ୍ୟଭିତ୍ତିକ ସାମ୍ୱାଦିକତା ‘ଏଜେଣ୍ଡା ଡ୍ରିଭନ ଜର୍ଣ୍ଣାଲିଜମ’ ଖେଳର ପରିବର୍ତ୍ତିତ ନିୟମରେ ମୁଦ୍ରିତ ସମ୍ୱାଦପତ୍ର ଓ ପତ୍ରପତ୍ରିକାକୁ ଜୀବନ୍ତ ତଥା ପ୍ରଭାବଶାଳୀ କରିବା ସଂଭବ । ବ୍ୟାବସାୟିକ ବିଜ୍ଞାପନ ଓ ରାଜନୀତିକ ପୃଷ୍ଠପୋଷକତା ମୁଦ୍ରିତ ଗଣମାଧ୍ୟମର ସଂକୁଚିତ ପ୍ରସାର କାରଣରୁ ଉଭେଇ ଯିବା ପରେ ଗ୍ରାହକଚାନ୍ଦା-ଆଶ୍ରିତ-ମଡ଼େଲ ଗୁଣାତ୍ମକ ସାମ୍ୱାଦିକତାର ରକ୍ଷାକବଚ଼ ସାଜିପାରେ । ସାଧାରଣରେ ଧରିନିଆଯାଏ ଯେ ଭାରତୀୟ ପାଠକ ଓ ଦର୍ଶକ ବିନାମୂଲ୍ୟରେ କିମ୍ୱା ଅଳ୍ପ ମୂଲ୍ୟ ବିନିମୟରେ ସମ୍ୱାଦପତ୍ର ଓ ଟେଲିଭିଜନ କାର୍ଯ୍ୟକ୍ରମ ଆହରଣ କରିବା ନିମନ୍ତେ ଆଗ୍ରହୀ । କିନ୍ତୁ ତାହା କ୍ରମଶଃ ଭୂଲ ପ୍ରମାଣିତ ହେଉଛି ।


 

‘ଫିକି’ ରିପୋର୍ଟ ଅନୁଯାୟୀ ସମସ୍ତ ଗଣମାଧ୍ୟମ ମଞ୍ଚର ଗ୍ରାହକଚାନ୍ଦା ୨୦୧୯, ୨୦୨୦ରେ ପ୍ରାୟତଃ ବିଜ୍ଞାପନ ରାଜସ୍ୱ ସହ ସମାନ ରହି ଆସିଥିଲା ଏବଂ ୨୦୨୧, ୨୦୨୩ରେ ମଧ୍ୟ ସମଅବସ୍ଥା ଆଶା କରାଯାଉଛି । ଅର୍ଥାତ ଭାରତୀୟ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଗ୍ରାହକଚାନ୍ଦା ଶକ୍ତିଶାଳୀ ଆୟ ରୂପେ ପରିଗଣିତ ହେବାରେ ଲାଗିଛି । ୨୦୧୯ରେ ଗ୍ରାହକଚାନ୍ଦା ଆୟ ୭୮ ହଜାର ପାଞ୍ଚଶହ କୋଟି ଥିବା ସ୍ଥଳେ ୨୦୨୩ରେ ୯୪ ହଜାର କୋଟିରେ ପହଞ୍ଚିବ । ଅବଶ୍ୟ ମହାମାରୀରେ ୨୦୨୦ରେ ୬୩ ହଜାର ଏକ ଶହ କୋଟିକୁ ଖସି ଆସିଥିବା ସ୍ଥଳେ ୨୦୨୧ରେ ୭୬ ହଜାର ତିନି ଶହ କୋଟି ଆଶା କରାଯାଉଛି ।


 

ଗ୍ରାହକ ଚାନ୍ଦା ଗୁଣାତ୍ମକ ଉତ୍ପାଦ ଦାବୀ କରିବ । ଏହି ହେତୁ ନୂତନ ନିୟମ ଉନ୍ନତମାନର ଗଣମାଧ୍ୟମ ପରିବେଶ ସୃଷ୍ଟିରେ ସମର୍ଥ ହେବା ଆଶା କରାଯାଇପାରେ ।


 

ଗଣମାଧ୍ୟମ ମଞ୍ଚଗୁଡ଼ିକ ନିମନ୍ତେ ବିଜ୍ଞାପନ ଆୟରେ ଉଲ୍ଲେଖନୀୟ ଅଗ୍ରଗତି ପୂର୍ବାନୁମାନ କରାଯାଉ ନାହିଁ । ସମଗ୍ର ଗଣମାଧ୍ୟମ ୨୦୧୯ରେ ବିଜ୍ଞାପନ ଆୟ ୭୯ ହଜାର  ପାଞ୍ଚଶହ କୋଟି ଟଙ୍କା ଥିବା ସ୍ଥଳେ ୨୦୨୩ରେ ୯୧ ହଜାର ପାଞ୍ଚ ଶହ କୋଟିରେ ପହଞ୍ଚିବ । ସେହି ସମୟ ବେଳକୁ ଗ୍ରାହକ ଚାନ୍ଦା ଆୟ ୯୪ ହଜାର କୋଟିରେ ପହଞ୍ଚି ସାରିଥିବ । ଏଣୁ ଗଣମାଧ୍ୟମର ବିଜ୍ଞାପନ-ଆଶ୍ରିତ-ମଡ଼େଲ ଗ୍ରାହକଚାନ୍ଦା-ଆଶ୍ରିତ-ମଡ଼େଲ ଆଡ଼କୁ କ୍ଷୀପ୍ରଗତିରେ ଅଗ୍ରସର ହେଉଛି ବୋଲି କୁହାଯାଇପାରେ । ଏହି ଧାରାର ୨୦୨୦ରୁ ଆୟମାରମ୍ଭ ଘଟିଛି ।

 

ଗଣମାଧ୍ୟମ ମଞ୍ଚଗୁଡ଼ିକ ମଧ୍ୟରେ ସର୍ବାଗ୍ରେ ସ୍ଥାନିତ ଟେଲିଭିଜନ ବ୍ୟବସାୟ ୨୦୧୯ ତୁଳନାରେ ୨୦୨୦ରେ ୧୩ ପ୍ରତିଶତ ହ୍ରାସ ପାଇ ୬୮ ହଜାର ପାଞ୍ଚଶହ କୋଟିରେ ପହଞ୍ଚିଥିଲା । ବିଜ୍ଞାପନ ଆୟ ୨୧.୫ ପ୍ରତିଶତ କମିଯାଇ ପଚିଶି ହଜାର ଏକଶହ କୋଟି ଟଙ୍କା ହିସାବ କରାଯାଇଥିଲା । ଲକଡ଼ାଉନ ଅବଧିରେ ଟେଲିଭିଜନ ବିଜ୍ଞାପନ ପ୍ରଦର୍ଶନରେ ବ୍ୟାପକ ରିହାତି ପ୍ରଦାନ କରାଯାଇଥିବା ହେତୁ ଆୟ କମିଥିଲା । ଜାତୀୟ ଚ୍ୟାନେଲଗୁଡ଼ିକ ତୁଳନାରେ ଆଞ୍ଚଳିକଭାଷାର ଚ୍ୟାନେଲଗୁଡ଼ିକ ୨୭ ପ୍ରତିଶତ ଯାଏଁ ଅଧିକ ବିଜ୍ଞାପନ ପାଇଥିଲେ । ଅନ୍ୟପକ୍ଷେ ୨୦୨୦ରେ ଗ୍ରାହକ ଦେୟରୁ ଆୟ ମଧ୍ୟ ସାତ ପ୍ରତିଶତ କମି ୪୩ ହଜାର ଚାରିଶହ କୋଟିକୁ ଖସି ଆସିଥିଲା । ଅବଶ୍ୟ ଲକଡ଼ାଉନ ହେତୁ ଗୃହାବଦ୍ଧ ଅବସ୍ଥାରେ ଦର୍ଶକ ନଅ ପ୍ରତିଶତ ଅଧିକ ସମୟ ଟେଲିଭିଜନ ଦେଖାରେ ବିନିଯୋଗ କରିଥିଲେ ।


 

‘ଫିକି’ ରିପୋର୍ଟ ଆଧାରିତ ହିସାବରେ ୨୦୧୯ରେ ପ୍ରଥମ ସ୍ଥାନରେ ଟେଲିଭିଜନ ବ୍ୟବସାୟ ୭୮ ହଜାର ସାତଶହ କୋଟି ପରକୁ ଦ୍ୱିତୀୟ ସ୍ଥାନରେ ମୁଦ୍ରଣ ମଞ୍ଚର ବ୍ୟବସାୟ ୨୯ ହଜାର ଛଅ ଶହ କୋଟି ଟଙ୍କା ରହିଥିଲା । ତେବେ ୨୦୨୦ରେ ପ୍ରଥମ ସ୍ଥାନରେ ଟେଲିଭିଜନ ବ୍ୟବସାୟ ୬୮ ହଜାର ପାଞ୍ଚ ଶହ କୋଟିକୁ ଖସିଥିବା ସ୍ଥଳେ ମୁଦ୍ରଣ ପରିବର୍ତ୍ତେ ଡ଼ିଜିଟାଲ ମଞ୍ଚ ୨୩ ହଜାର ପାଞ୍ଚ ଶହ କୋଟି ବ୍ୟବସାୟ କରି ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲା । ପୂର୍ବାନୁମାନରେ ୨୦୨୩ରେ ଟେଲିଭିଜନ ବ୍ୟବସାୟ ୮୪ ହଜାର ସାତ ଶହ କୋଟି ବ୍ୟବସାୟ କରି ପ୍ରଥମ ଓ ଡିଜିଟାଲ ମଞ୍ଚ ୪୨ ହଜାର ପାଞ୍ଚ ଶହ କୋଟି ଟଙ୍କା ବ୍ୟବସାୟ କରି ଦ୍ୱିତୀୟ ସ୍ଥାନ ପୂର୍ବବତ ଅଧିକାର କରିବେ ।


 

ସେହିପରି ୨୦୧୯ରେ ଚଳଚ଼ିତ୍ର ଶିଳ୍ପ ପଞ୍ଚମ ସ୍ଥାନ ଅଧିକାର କରି ୧୯ ହଜାର ଏକ ଶହ କୋଟି ଟଙ୍କା ଏବ ଗେମିଂ ଅନଲାଇନ-ଗେମିଂ ଶିଳ୍ପ ସପ୍ତମ ସ୍ଥାନରେ ଛଅ ହଜାର ପାଞ୍ଚ ଶହ କୋଟି ବ୍ୟବସାୟ କରିଥିବା ସ୍ଥଳେ ୨୦୨୦ରେ ଚଳଚ଼ିତ୍ରର ବ୍ୟବସାୟ ସାତ ହଜାର ଦୁଇ ଶହ କୋଟି ଥିବା ସ୍ଥଳେ ଅନ-ଲାଇନ-ଗେମିଂ ସାମାନ୍ୟ ଅଧିକା ସାତ ହଜାର ଛଅ ଶହ କୋଟି ବ୍ୟବସାୟ କରି ଚ଼ତୁର୍ଥସ୍ଥାନକୁ ଉନ୍ନୀତ ହୋଇଛି । ଅବଶ୍ୟ ୨୦୨୩ ପୂର୍ବାନୁମାନରେ ଚଳଚ଼ିତ୍ର ୨୪ ହଜାର ଚାରି ଶହ କୋଟି ବ୍ୟବସାୟ କଲାବେଳେ ଅନ-ଲାଇନ-ଗେମିଂ ବ୍ୟବସାୟ ୧୫ ହଜାର ପାଞ୍ଚ ଶହ କୋଟିରେ ସୀମିତ ରହିବ ।


 

‘ଫିକି’ ରିପୋର୍ଟ ପୂର୍ବାନୁମାନରେ ୨୦୨୩ରେ ଟେଲିଭିଜନ ପ୍ରାୟ ୮୪ ହଜାର କୋଟି ବ୍ୟବସାୟ କରିବା ବେଳେ ଦ୍ୱିତୀୟ ସ୍ଥାନରେ ଡ଼ିଜିଟାଲ ୪୨ ହଜାର କୋଟି, ମୁଦ୍ରଣ ୨୫ ହଜାର କୋଟି, ଚଳଚ଼ିତ୍ର ୨୪ ହଜାର କୋଟି ଏବଂ ଅନଲାଇନ ଗେମିଂ ୧୫ ହଜାର କୋଟି ବ୍ୟବସାୟରେ ପାଞ୍ଚଗୋଟି ମୁଖ୍ୟ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ରୂପେ ମୁଣ୍ଡ ଟେକିବେ । ଉଲ୍ଲେଖନୀୟ ବିଷୟ ଏହି ଯେ ଡ଼ିଜିଟାଲ ପରିବେଶ ଟେଲିଭିଜନ, ମୁଦ୍ରଣ, ଚଳଚ଼ିତ୍ର ଓ ସ୍ୱାଭାବିକଭାବେ ଅନ-ଲାଇନ-ଗେମିଂକୁ ପ୍ରଭାବିତ କରୁଛି । ଏହା ଫଳରେ ସୃଜନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅବଶ୍ୟାମ୍ଭାବୀ । ପାରମ୍ପରିକଭାବେ ଭାରତ ତଥା ଓଡ଼ିଶାରେ ମୁଦ୍ରଣ ଗଣମାଧ୍ୟମରେ ସଂଖ୍ୟାଧିକ ଶ୍ରମନିଯୁକ୍ତି ଥିବା ହେତୁ ଡ଼ିଜିଟାଲ ସୃଜନ ଧାରାରେ ଯେଉଁମାନେ ନିଜକୁ ସାମିଲ କରିପାରିବେ ନାହିଁ ଖୁବ କମ ସମୟ ମଧ୍ୟରେ ଅଧିକାଂଶ ନିଯୁକ୍ତି ହରାଇବା ନିଶ୍ଚିତ । ଏଥି ସହ ମୁଦ୍ରଣ ମଞ୍ଚ ଉପଭୋକ୍ତା-ଆଶ୍ରିତ ମଡ଼େଲରେ ବ୍ୟବସାୟ ପରିବର୍ତ୍ତନ କରୁଥିବା ହେତୁ ସୃଜନରେ ଦକ୍ଷତା ଓ ଗୁଣବତ୍ତା ପ୍ରାଥମିକତା ଦାବୀ କରିବ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଏପ୍ରିଲ ୨୦୨


ତଥ୍ୟ :


Radio Television Digital News Association 2020. Resolutions for your news room. December 18, 2019. 


www.rtdna.org/article/2020_resolutions-for-your-newsroom


ଗ୍ରାହକ ଚାନ୍ଦା ଆଶ୍ରିତ ସମ୍ୱାଦ ଶିଳ୍ପ 

ପାରମ୍ପରିକଭାବେ ମୁଦ୍ରିତ ସମ୍ୱାଦପତ୍ର ଊନବିଂଶ ଶତାଦ୍ଦୀର ମଧ୍ୟଭାଗରୁ ବିଜ୍ଞାପନ ଆଶ୍ରିତ ଶିଳ୍ପ ରୂପେ ଦେଢ଼ ଶହ ବର୍ଷରୁ ଉର୍ଦ୍ଧ୍ୱ କାଳ ଧରି ବ୍ୟବସାୟ ଚଳାଇ ଆସିଥିଲା । ପାଶ୍ଚାତ୍ୟ ଭୂଖଣ୍ଡରେ ବିକଶିତ ସମ୍ୱାଦଶିଳ୍ପ ଅର୍ଥନୀତି ଭାରତ ତଥା ଓଡ଼ିଶାରେ ମଧ୍ୟ ପ୍ରତିଫଳିତ ।


 

ବିଗତ ଶହେ ବର୍ଷ ଧରି ସମ୍ୱାଦପତ୍ର, ରେଡ଼ିଓ, ଟେଲିଭିଜନ, ଚଳଚିତ୍ର ଓ ବାହ୍ୟ ଦୃଶ୍ୟ ମାଧ୍ୟମ ‘ଆଉଟ-ଡ଼ୋରଡ଼ିସପ୍ଳେ’ ଜନସାଧାରଣଙ୍କ ମଧ୍ୟରେ ବ୍ୟାବସାୟିକ, ରାଜନୀତିକ ଓ ସାମାଜିକ ବିଜ୍ଞାପନ ପ୍ରସାରଣଲାଗି ଗଣମାଧ୍ୟମରୂପେ ପରିଗଣିତ। ତେବେ ବିଂଶ ଶତାଦ୍ଦୀର ଶେଷ ପାଦରେ ଇଣ୍ଟରନେଟଭିତ୍ତିକ ଯୋଗାଯୋଗ ବ୍ୟବସ୍ଥାର ଅଭ୍ୟୁଦୟବିଜ୍ଞାପନଦାତାଙ୍କ ନିମନ୍ତେ ଭୌଗଳିକ ସୀମାପାର ବୃହତ ଉପଭୋକ୍ତାଙ୍କ ସହ ତତ୍କାଳ ଯୋଗାଯୋଗ ନିମନ୍ତେ ବିକଳ୍ପ ସୂତ୍ର ଉପଲବ୍ଧ କରାଇବା ପରବର୍ତ୍ତୀ ଅବସ୍ଥାରେ ବିଜ୍ଞାପନ ବ୍ୟୟ କ୍ରମଶଃ ପାରମ୍ପରିକ ଗଣମାଧ୍ୟମ ମଞ୍ଚ ଗୁଡ଼ିକରୁଡ଼ିଜିଟାଲ ମଞ୍ଚକୁ ସ୍ଥାନାନ୍ତରିତ ହେବା ଆରମ୍ଭ କଲା ।


 

ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶନ୍ଧି ଧରି ପାଶ୍ଚାତ୍ୟ ଭୂଖଣ୍ଡରେ ବିଜ୍ଞାପନ ଆୟ ଅଭାବରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ପ୍ରଭାବିତ ହୋଇଛି । ଭାରତଭଳି ବିକଶିତ ଅର୍ଥନୀତିରେ ମିଶ୍ରିତ ପ୍ରଭାବ ଜାତୀୟ ଇଂଲିଶ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ଅନୁଭବ କରାଯାଉଥିବା ସ୍ଥଳେ ଆଞ୍ଚଳିକସ୍ତରରେ ଏଭଳି ବିଘାତକ ‘ଡିସରାପ୍ଟିଉଭ’ବିପଦପ୍ରତି ସତର୍କ ରହିବା ନିମନ୍ତେ ରଣନୀତି ‘ଷ୍ଟାଟାଜି’ପ୍ରଣୟନର ଆବଶ୍ୟକତା ମୁଣ୍ଡ ଟେକିଛି ।


 

ବିଶ୍ୱବ୍ୟାପୀସ୍ମାର୍ଟଫୋନ ବ୍ୟବହାର ତଥା ଉପସ୍ଥିତି ଅବଧି ବୃଦ୍ଧି ସାଙ୍ଗକୁ ବ୍ୟବହାର ଇତିହାସ ‘ବ୍ରାଉଜିଂ ହିଷ୍ଟ୍ରୀ’ ଉପଯୋଗରେ ପ୍ରତ୍ୟେକ ଉପଭୋକ୍ତାଙ୍କ ବ୍ୟକ୍ତିଗତ ରୁଚି, ସମ୍ଭାବ୍ୟ ପ୍ରତିକ୍ରିୟା ଓ ପଦକ୍ଷେପ ସଂପର୍କରେ ତଥ୍ୟ ହାସଲ କରି ବିଜ୍ଞାପନ ପ୍ରଦର୍ଶନ ଧାରା ପ୍ରବର୍ତ୍ତିତ ହୋଇଛି । ଏହା କାରଣରୁ ମୁଦ୍ରିତ ସମ୍ୱାଦପତ୍ର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ ବିଜ୍ଞପ୍ତିଠାରୁ ଡ଼ିଜିଟାଲ ବିଜ୍ଞାପନ ବହୁ ଗୁଣରେ ପ୍ରଭାବଶାଳୀ । ଅପରପକ୍ଷେ ଡ଼ିଜିଟାଲ ମଞ୍ଚ ବିଜ୍ଞାପନରେ ଭିଡ଼ିଓ ବ୍ୟବହାର ଦର୍ଶକ ମହଲର ଦୃଷ୍ଟି ଆକର୍ଷଣ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ସୃଷ୍ଟି କରିଥାଏ । ଏହି ପରିବେଶରେ ପାଶ୍ଚାତ୍ୟ ଭୂଖଣ୍ଡର ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପର ନୀତିନିର୍ଦ୍ଧାରକଗଣ ବିଜ୍ଞାପନ ଆଶ୍ରିତ ମଡ଼େଲ ପରିବର୍ତ୍ତେ ଅନ୍ୟାନ୍ୟ ରାଜସ୍ୱ ଆୟକାରୀ ମଡ଼େଲ ଅନୁସରଣରେ ମନୋନିବେଶ କରୁଛନ୍ତି ।


 

ପଣ୍ୟଦ୍ରବ୍ୟ ବିକ୍ରୟରେ ପ୍ରତ୍ୟେକ ପଦାର୍ଥର ଉଚିତ ଦର ନିର୍ଦ୍ଧାରିତ ହୋଇଥାଏ । ଦ୍ରବ୍ୟର ଉତ୍ପାଦନ ଖର୍ଚ୍ଚ ସହ ଲାଭ ଯୋଡ଼ିହୋଇ ରହିଥାଏ । ସମ୍ୱାଦପତ୍ର ଉନ୍ମେଷ କାଳରେ ସେହି ଧାରା ପ୍ରଚଳିତ ଥିଲା । ସାମୟିକ ସମ୍ୱାଦପତ୍ର ପ୍ରକାଶନ ଅବସରରେ ଗ୍ରାହକ ଚାନ୍ଦା ସଂଗ୍ରହ କରାଗଲା । ଫ୍ରାନ୍ସର ‘ଲା ପ୍ରେସ’ ପକ୍ଷରୁ ୧୮୩୬ରେ ସମ୍ୱାଦପତ୍ର ମୁଦ୍ରଣ ଖର୍ଚ୍ଚ ବିଜ୍ଞାପନ ଆୟରୁ ଭରଣା କରି ଗ୍ରାହକ ଚାନ୍ଦା ହ୍ରାସ କରିବା ଧାରା ଆରମ୍ଭ ହୋଇଥିଲା । ଏଭଳି ମଡ଼େଲ ଅନ୍ୟମାନେ ଅନୁସରଣ କରିଥିଲେ ଏବଂ କାଳକ୍ରମେ ବିଶ୍ୱବ୍ୟାପୀ ପ୍ରବର୍ତ୍ତିତ ହୋଇଥିଲା ।


 

ଭାରତୀୟ ଅର୍ଥନୀତିରେ ଉଦାରୀକରଣ ଓ ଜଗତୀକରଣ ଅବସରରେ ଜାତୀୟସ୍ତରରଇଂଲିଶ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ପ୍ରସାର ସଂଖ୍ୟା ବୃଦ୍ଧି ଓ ତଦ୍ଜନିତ ବିଜ୍ଞାପନ ଆୟ ଲକ୍ଷ୍ୟରେ ଗ୍ରାହକ ଚାନ୍ଦା ହ୍ରାସ କରି ସମ୍ୱାଦପତ୍ର ବ୍ୟବସାୟକୁ ପୂର୍ଣ୍ଣରୂପେବିଜ୍ଞାପନ ଆଶ୍ରିତ ଶିଳ୍ପରେ ପରିଣତ କରିପକାଇଥିଲେ । ‘ହିନ୍ଦୁ’ ଭଳି ସମ୍ୱାଦପତ୍ରର ଆୟ ଗ୍ରାହକ ଚାନ୍ଦାରୁ ୧୫ ପ୍ରତିଶତ ଓ ବିଜ୍ଞାପନରୁ ୮୫ ପ୍ରତିଶତ ଘୋଷିତ ହୋଇଥିବା ସ୍ଥଳେ ‘ଟାଇମ୍ସ ଅଫ ଇଣ୍ଡିଆ’ ଗୃପ ଏହାର ମହାନଗର ସଂସ୍କରଣଗୁଡ଼ିକରେବିଜ୍ଞାପନଧର୍ମୀ ସମ୍ୱାଦ ‘ଏଡ଼ଭୋଟରିଆଲ’କ୍ରୋଡ଼ପତ୍ର ପ୍ରକାଶନ ଆରମ୍ଭ କରିଥିଲା । ସମ୍ୱାଦପତ୍ରସମ୍ପାଦକଙ୍କ ତୁଳନାରେ ବିଜ୍ଞାପନ ପରିଚାଳକଙ୍କ ଗୁରୁତ୍ୱ ବୃଦ୍ଧି ପାଇଥିଲା ।


 

ତେବେ ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକର ଶେଷ ଭାଗରେ ପାଶ୍ଚାତ୍ୟ ଭୂଖଣ୍ଡରେ ସୃଷ୍ଟ ଆର୍ଥିକ ମାନ୍ଦାବସ୍ଥା ଓ ଦ୍ୱିତୀୟ ଦଶକରେ ଭାରତ ସମେତ ଏସୀୟ ଭୂଖଣ୍ଡରେ ଏହାର ପ୍ରଭାବ ସାଙ୍ଗକୁ କ୍ରମବର୍ଦ୍ଧିଷ୍ଣୁ ଡ଼ିଜିଟାଲ ମଞ୍ଚ ସଂଖ୍ୟାଧିକ ମୁଦ୍ରିତ ସମ୍ୱାଦପତ୍ରର ବିଜ୍ଞାପନ ଆୟ ସଂକୋଚନରେ ପର୍ଯ୍ୟବସିତ ହେବାପରେ ସମ୍ୱାଦପତ୍ର ପ୍ରକାଶନ ଶିଳ୍ପରେ ବିଜ୍ଞାପନ ବଦଳରେ ଗ୍ରାହକ ଚାନ୍ଦାର ଗୁରୁତ୍ୱ ବୃଦ୍ଧି ପାଇବା ଅନୁମାନ କରାଯାଇପାରେ ।


 

ବିଜ୍ଞାପନ ଆଶ୍ରିତ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ମଡ଼େଲରେ ସମ୍ୱାଦ ପରିବେଷଣ ଗୁରୁତ୍ୱ ହ୍ରାସ ପାଇବା ସ୍ୱାଭାବିକ । ଗୁଣାତ୍ମକ ସମ୍ୱାଦ ବଦଳରେ ପାଠକୀୟ ଆଗ୍ରହକୁ ଦୃଷ୍ଟିରେ ରଖି ସମ୍ୱାଦପତ୍ର ସମ୍ପାଦକୀୟ ନୀତି ପ୍ରଯୋଜିତ ହୋଇଥାଏ । ପ୍ରସାର ବୃଦ୍ଧି ନିମନ୍ତେ ବ୍ୟାବସାୟିକ କୌଶଳ ‘ମାର୍କେଟିଂଟେକନିକ’ମାନ ଉପଯୋଗ ପ୍ରାଧାନ୍ୟ ଜାରୀ ରହେ  । ସମ୍ୱାଦପତ୍ର ମୁଦ୍ରଣ ଓ ଆନୁସଙ୍ଗିକ ଖର୍ଚ୍ଚ ବୃଦ୍ଧି ପାଉଥିବା ସ୍ଥଳେ ପାଠକ ସଂଖ୍ୟା ହ୍ରାସ ଭୟରେ ଗ୍ରାହକ ଚାନ୍ଦା ବୃଦ୍ଧିକୁ ଏଡ଼ାଇ ଦେବା ନିମନ୍ତେ ସକଳ ଚେଷ୍ଟା କରାଯାଏ । ତେବେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ବେଳକୁ ସର୍ବାଧିକ ପ୍ରସାରିତ ସମ୍ୱାଦପତ୍ରଗୁଡ଼ିକୁ ବାଦ ଦେଇ ଅନ୍ୟ ସମସ୍ତ ସମ୍ୱାଦପତ୍ର ବିଜ୍ଞାପନ ଆୟ ହ୍ରାସରେ ଭରାକ୍ରାନ୍ତ । ଏଭଳି ପରିବେଶ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକୁ ଗ୍ରାହକ ଚାନ୍ଦା ଆଶ୍ରିତ ମଡ଼େଲ ପ୍ରବର୍ତ୍ତନରେ ବାଧ୍ୟ କରିବା ଆଶା କରାଯାଏ ।


 

ବିଶ୍ୱବ୍ୟାପୀ ଇଣ୍ଟରନେଟ ଓ ସ୍ମାର୍ଟଫୋନର ବ୍ୟାପ୍ତି ତଥା ଲୋକପ୍ରିୟତା ସମ୍ୱାଦଶିଳ୍ପକୁ ଯେ ମୋବାଇଲ ମୁଖୀ କରିବ ଏଥିରେ ଦ୍ୱିମତ ନାହିଁ । ବିକଶିତ ଓ ବିକାଶଶୀଳ ଅର୍ଥନୀତି ମଧ୍ୟରେ ଏହି ପରିବର୍ତ୍ତନ ଲାଗି ସମୟ ବ୍ୟବଧାନ ହିଁ ଏକ ମାତ୍ର ପ୍ରଭେଦ । ଆନ୍ତର୍ଜାତିକସ୍ତରରେ ବ୍ରିଟେନର ‘ଗାର୍ଡ଼ିଅନ’ ଓ ଯୁକ୍ତରାଷ୍ଟ୍ର ଆମେରିକାର ‘ନ୍ୟୂୟର୍କଟାଇମ୍ସ’ ଏକବିଂଶ ଶତାଦ୍ଦୀର ସମ୍ୱାଦ ଶିଳ୍ପରେ ଗ୍ରାହକଚାନ୍ଦା ଆଶ୍ରିତ ବ୍ୟବସାୟର ଉଦାହରଣ ସୃଷ୍ଟି କରିଛନ୍ତି । ଏହି ମଡ଼େଲକୁ ଏକମାତ୍ର ବିକଳ୍ପ ରୂପେ ଗ୍ରହଣ ନକରାଗଲେ ମଧ୍ୟ ଅନ୍ତତଃ ଅନ୍ୟତମ ବ୍ୟାବସାୟିକ ଧାରା ‘ବିଜନେସପ୍ଳାନ’ ରୂପେ ମାନ୍ୟତାର ହକଦାର ।


 

ଆଲୋଚ୍ୟ ଦୁଇ ମୁଦ୍ରିତ ସମ୍ୱାଦପତ୍ର ପ୍ରଥମତଃ ସାମ୍ୱାଦିକତାର ଗୁଣାତ୍ମକ ବିକାଶ, ଦ୍ୱିତୀୟତଃ ଏଥି ନିମନ୍ତେ ପ୍ରର୍ଯ୍ୟାପ୍ତ ସଂଖ୍ୟକ ଦକ୍ଷ ସାମ୍ୱାଦିକ ନିଯୁକ୍ତି, ତୃତୀୟତଃ ସାମ୍ୱାଦିକତାରେ ବୃତ୍ତିଗତ ଓ ସୃଜନ ସ୍ୱାଧୀନତା, ଚତୁର୍ଥତଃ ମୁଦ୍ରଣ ସହ ଡ଼ିଜିଟାଲ ମଞ୍ଚରେ ଉପସ୍ଥିତି ଓ ପଞ୍ଚମତଃ ଗ୍ରାହକ ଚାନ୍ଦା ଆଶ୍ରିତ ମଡ଼େଲକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଏହି ମଡ଼େଲ ବ୍ୟାବସାୟିକ ଦୃଷ୍ଟିରୁ ଲାଭପ୍ରଦ ପ୍ରମାଣିତ ହୋଇଛି ।


 

ନ୍ୟୂୟର୍କଟାଇମ୍ସର ସମ୍ଭାବ୍ୟ ଭାରତୀୟ ସଂସ୍କରଣ ପ୍ରକାଶନ ଅବସରରେ ମୁଖ୍ୟ କାର୍ଯ୍ୟନିର୍ବାହୀ ମାର୍କ ଥମ୍ପସନ ୨୦୧୯ ନଭେମ୍ୱର ମଧ୍ୟଭାଗରେ ଭାରତଗସ୍ତରେ ଆସିଥିଲେ । ଏହି ଅବସରରେ ‘ବିଜିନେସଷ୍ଟାଣ୍ଡାର୍ଡ’ ସହ ସାକ୍ଷାତକାରରେ ସେ ଦୃଢୋକ୍ତି ପ୍ରକାଶ କରିଥିଲେ ଯେ ଗୁଣାତ୍ମକ ସାମ୍ୱାଦିକତା ଗ୍ରାହକ ଚାନ୍ଦା ଆୟର ମୂଳ ଉତ୍ସ । ‘ନ୍ୟୂୟର୍କଟାଇମ୍ସ’ର ମୋଟ ଗ୍ରାହକ ସଂଖ୍ୟା ୫୦ ଲକ୍ଷ ହିସାବ କରାଯାଉଥିବା ସ୍ଥଳେ ୩୨ ଲକ୍ଷ ଡିଜିଟାଲ ଗ୍ରାହକ ଅନ୍ତର୍ଭୁକ୍ତ । ସାମ୍ୱାଦିକତାରେ ଗୁଣାତ୍ମକ ବିକାଶ ନିମନ୍ତେ କାର୍ଯ୍ୟରତ ମୋଟ ୧୭୦୦ ସାମ୍ୱାଦିକଙ୍କ ମଧ୍ୟରୁ ବିଗତ ଦଶନ୍ଧିରେ ଅର୍ଦ୍ଧେକଙ୍କୁ ନିଯୁକ୍ତି ଦିଆଯାଇଛି । ସାମ୍ୱାଦିକତାରେ ଉତ୍କର୍ଷତା ପ୍ରତ୍ୟେକ ଭୌଗଳିକ ପରିବେଶରେ ଗ୍ରାହକଙ୍କୁ ଆକର୍ଷିତ କରିବାରେ ସକ୍ଷମ ହେବ ବୋଲି ତାଙ୍କରି ବିଶ୍ୱାସ ।


 

ଭାରତରେ ଜାତୀୟସ୍ତରରଇଂଲିଶସମ୍ୱାଦପତ୍ରଗୁଡ଼ିକ ମଧ୍ୟରେ ‘ହିନ୍ଦୁ’ଗ୍ରାହକଚାନ୍ଦା ବୃଦ୍ଧିରେ ଆଗୁଆ ରହିଛି । ଏହାର ଦୈନିକ ସଂସ୍କରଣ ଦଶ ଟଙ୍କା ଓ ରବିବାସରୀୟ ସଂସ୍କରଣ ପନ୍ଦର ଟଙ୍କାରେ ବିକ୍ରୀ ହେଉଛି । ‘ହିନ୍ଦୁ’ର ମୁଖ୍ୟ ରାଜସ୍ୱ ଅଧିକାରୀ ସୁରେଶ ବାଳକୃଷ୍ଣଙ୍କ ହିସାବରେ ପରିବର୍ତ୍ତିତ ପରିସ୍ଥିତିରେ ସମ୍ୱାଦପତ୍ରର ଆୟ ୫୦ ପ୍ରତିଶତ ଗ୍ରାହକଚାନ୍ଦା ଓ ୫୦ ପ୍ରତିଶତ ବିଜ୍ଞାପନ ଆୟରୁ ଭରଣା ହେଉଛି ।


 

ଅପରପକ୍ଷେ ‘ରଏଟରଇନଷ୍ଟିଟିଉଟ ଅଫ ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ର ବାର୍ଷିକ ପ୍ରକାଶନ ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୧୮’ରେ କୁହାଯାଇଛି ଯେ ସାଧାରଣ ପାଠକ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ କରିବା ନିମନ୍ତେ ଗ୍ରାହକ ଚାନ୍ଦା ଦେବା ପାଇଁ କୁଣ୍ଠିତ । ବିଗତ ଛଅ ବର୍ଷର ହିସାବ ଅନୁଧ୍ୟାନରୁ ଜଣାଯାଇଛି ଯେ ଡିଜିଟାଲ ଗ୍ରାହକ ସଂଖ୍ୟାରେ ଅଭିବୃଦ୍ଧି ନୈରାଶ୍ୟଜନକ । ଉପଭୋକ୍ତାମାନେ ଭିଡ଼ିଓ ଓ ସଙ୍ଗୀତ ସେବା ନିମନ୍ତେ ଗ୍ରାହକଶ୍ରେଣୀଭୁକ୍ତ ହେବାରେ ଆଗ୍ରହ ପ୍ରକାଶ କରୁଥିବା ସ୍ଥଳେ ସମ୍ୱାଦ କ୍ଷେତ୍ରରେ ଉଦାସୀନ ।


 

ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ ଡିଜିଟାଲ ମଞ୍ଚରେ ଉଚ୍ଚଶିକ୍ଷିତ ଓ ବିତ୍ତଶାଳୀମାନେ ସମ୍ୱାଦ ପାଠ ନିମନ୍ତେ ଗ୍ରାହକଶ୍ରେଣୀଭୁକ୍ତ ହୋଇଥାନ୍ତି । ଏହି ପରିସଂଖ୍ୟାନ ଆଧାରରେ ଓଡ଼ିଶାରେ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ଗ୍ରାହକଚାନ୍ଦା ଆଶ୍ରିତ ମଡ଼େଲ ରୂପାୟନ ଅବସରରେ ଶିକ୍ଷିତ ଓ ସ୍ୱଚ୍ଛଳ ପରିବାରବର୍ଗରୁ ପାଠକ ଆଶା କରାଯାଇପାରେ । ପ୍ରଚଳିତ ଗ୍ରାହକ ଚାନ୍ଦା ବୃଦ୍ଧି ଅବସରରେ ହୁଏତ ନବସାକ୍ଷର ଓ ଆର୍ଥିକ ଅନଗ୍ରସର ବର୍ଗରୁ କିଛି ସଂଖ୍ୟକ ଗ୍ରାହକ ଅପସାରିତ ହୋଇପାରନ୍ତି, ତେବେ ବର୍ଦ୍ଧିତ ଗ୍ରାହକ ଚାନ୍ଦା ସମ୍ୱାଦପତ୍ରର ଅର୍ଥନୀତିକୁ ସୁଦୃଢ଼ କରିବା ଫଳରେ ସାମ୍ୱାଦିକତାର ଗୁଣାତ୍ମକ ବିକାଶରେ ସହାୟକ ହେବ । ଓଡ଼ିଶା କ୍ଷେତ୍ରରେ ସଂଖ୍ୟାଧିକ ସମ୍ୱାଦପତ୍ର ସରକାରୀ ବିଜ୍ଞାପନ ଆଶ୍ରିତ ହୋଇପଡୁଥିବା ଅବସରରେ ଗଣତାନ୍ତ୍ରିକ ମୂଲ୍ୟବୋଧ ସୁରକ୍ଷାରେ ସମ୍ୱାଦପତ୍ରର ଭୂମିକା ଶୀଥିଳ ହୋଇ ପଡୁଥିବା ଦୁର୍ବଳତା ଲୋପ ପାଇବ । ପ୍ରକାରନ୍ତେ ନିରପେକ୍ଷତା ଉନ୍ନତ ସାମ୍ୱାଦିକତା ଓ ସେଥିପ୍ରତି ଆକୃଷ୍ଟ ପାଠକ ସଂଖ୍ୟା ବୃଦ୍ଧିରେ ସହାୟକ ହେବ ।


 

ରଏଟର ହିସାବ ଅନୁଯାୟୀ ୪୫ ବର୍ଷରୁ କମ ଉପଭୋକ୍ତାଙ୍କ ମଧ୍ୟରେ ମାତ୍ର ସାତ ପ୍ରତିଶତ ଡିଜିଟାଲ ମଞ୍ଚରେ ସମ୍ୱାଦ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ସ୍ଥଳେ ସତତିରିଶି ପ୍ରତିଶତ ଭିଡ଼ିଓ ପ୍ରତି ଆକୃଷ୍ଟ । ଏହି ତଥ୍ୟ ଆଧାରରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକଡ଼ିଜିଟାଲ ମଞ୍ଚରେ ପ୍ରବେଶ କାଳରେ ମୂଳରୁ ଭିଡ଼ିଓ ସମ୍ୱାଦ ପ୍ରଯୋଜନା ପ୍ରତି ପ୍ରାଧାନ୍ୟ ଦେବା ଆବଶ୍ୟକ । ଭବିଷ୍ୟତରେ ଡିଜିଟାଲ ମଞ୍ଚ ହିଁ ଅନେକାଂଶରେ ପାଠକଙ୍କୁ ସମ୍ୱାଦପତ୍ରରେ ପ୍ରକାଶିତ ରଚନା ପାଠ କରିବା ନିମନ୍ତେ ପ୍ରବର୍ତ୍ତାଇବା ଧାରା ସମୃଦ୍ଧ ହେବା ଆଶା କରାଯାଉଥିବା ହେତୁ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ସାମ୍ୱାଦିକମାନଙ୍କୁ ଭିଡ଼ିଓ ସାମ୍ୱାଦିକତା ତାଲିମ ଦେବା ସମୟ ଆସି ପହଞ୍ଚିଛି ବୋଲି କହିବାକୁ ହେବ ।


 

ଦୀର୍ଘକାଳ ପ୍ରକାଶନ ଆଶାୟୀ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ କ୍ରମଶଃ ଗ୍ରାହକଚାନ୍ଦା ଆଶ୍ରିତ ଓ ଭିଡ଼ିଓ ପ୍ରାଧାନ୍ୟ ଡ଼ିଜିଟାଲ ମଞ୍ଚ ସମୃଦ୍ଧ ମଡ଼େଲ ଅନୁଧ୍ୟାନ କରିବା ଅପରିହାର୍ଯ୍ୟ ହୋଇପଡ଼ିଥିବା ବିଶ୍ୱାସ କରାଯାଏ ।    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୯ ନଭେମ୍ୱର ୨୦୧୯


ତଥ୍ୟ :


People will pay for good content : newspaper subscription model has growth potential. 


<www.bestmediainfo.com> June 06, 2019.

 

The media has a big problem, Reuters Institute says : who will pay for the news ? 


<www.reuters.com> June 11, 2019.

 

‘Good content is good strategy’. Mark Thompson interviewed by VanitaKholi – Khandekar. Business Standard (Bhubaneswar Edition). November 21, 2019. 

ବଦାନ୍ୟତା-ଆଶ୍ରିତ ସାମ୍ୱାଦିକତା

ଆନ୍ତର୍ଜାତିକସ୍ତରରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ବିଂଶ ଶତାଦ୍ଦୀ ଶେଷ ଯାଏଁ ଗଣମାଧ୍ୟମ, ମୁଖ୍ୟତଃ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ବିଜ୍ଞାପନ-ଆଶ୍ରିତ ଶୃଙ୍ଖଳ ‘ମଡ଼େଲ’ରେ ପରିପୁଷ୍ଟ ହୋଇ ଆସିଥିଲା । ତେବେ ଡ଼ିଜିଟାଲ ମଞ୍ଚର ଉତ୍ଥାନରେ ପାରମ୍ପରିକ ଗଣମାଧ୍ୟମ ଶିଳ୍ପରୁ କ୍ରମଶଃ ବିଜ୍ଞାପନ ରାଜସ୍ୱ ଅପସାରଣ ପରେ ବିକଳ୍ପ ଆୟ ସଂପର୍କରେ ପରୀକ୍ଷାନିରୀକ୍ଷା ଆରମ୍ଭ ହେଲା । ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକ, ମୁଖ୍ୟତଃ ୨୦୦୮ରେ ମାର୍କିନ ଆର୍ଥିକ ମାନ୍ଦାବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ୟା ଉତ୍କଟ ଆକାର ଧାରଣ କଲା । ଭାରତ ତଥା ଓଡ଼ିଶାର ଗଣମାଧ୍ୟମ ଆନ୍ତର୍ଜାତିକ ପ୍ରବାହଦ୍ୱାରା ପ୍ରଭାବିତ ହୋଇ ଆସୁଥିବା ହେତୁ ଅନ୍ୟତ୍ର ସୃଷ୍ଟ ଗଣମାଧ୍ୟମରେ ବିଘଟନ କିଛିକାଳ ବିଳମ୍ୱରେ ସ୍ଥାନୀୟ ପରିବେଶରେ ଅନୁଭୂତ ହେବା ସୁସ୍ପଷ୍ଟ ।


 

ପଞ୍ଚଦଶ ଶତାଦ୍ଦୀ ମଧ୍ୟଭାଗରେ ଜର୍ମାନରେ ଗୁଟେନବର୍ଗଙ୍କ ଦ୍ୱାରା ଉଦ୍ଭାବିତ ଆଧୁନିକ ମୁଦ୍ରଣକଳା ୟୁରୋପୀୟ ଦେଶପୁଞ୍ଜ ଓ ବ୍ରିଟେନରେ ପ୍ରଚଳନ ପରେ ସପ୍ତଦଶ ଶତାଦ୍ଦୀ ଆରମ୍ଭରୁ ସମ୍ୱାଦପତ୍ରର ଉତ୍ସ ମୁଦ୍ରିତ ପତ୍ରାଂଶ ‘ନିଉଜଲେଟର’ ଜନାଦୃତ ହୋଇଥିଲା । ବ୍ରିଟିଶ ଶାସନାଧୀନ ଅବସ୍ଥାରେ ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗରେ ଭାରତରେ ତଥା ଊନବିଂଶ ଶତାଦ୍ଦୀ ଶେଷଭାଗରେ ଓଡ଼ିଶାରେ ମୁଦ୍ରଣଶିଳ୍ପ ଓ ସମ୍ୱାଦପତ୍ର ପ୍ରକାଶନ ଧାରାର ଅୟମାରମ୍ଭ ଘଟିଥିଲା ।


 

ବିଭିନ୍ନ ପଣ୍ୟଦ୍ରବ୍ୟ ଭଳି ସମ୍ୱାଦପତ୍ର ମଧ୍ୟ ଏକ ବିକ୍ରୀଯୋଗ୍ୟ ଉତ୍ପାଦ । ପ୍ରତ୍ୟେକ ଦ୍ରବ୍ୟରେ ଉତ୍ପାଦନ ଖର୍ଚ୍ଚ ସହ ସାମାନ୍ୟ ଲାଭ ସଂଯୋଗକରି ବିକ୍ରୀମୂଲ୍ୟ ଧାର୍ଯ୍ୟ କରାଯାଏ । କିନ୍ତୁ ସମ୍ୱାଦପତ୍ର ପ୍ରଚଳନର କିଛି କାଳପରେ ବିଜ୍ଞାପନ ପ୍ରକାଶକରି ବିଜ୍ଞାପନ ଦେୟ ଦ୍ୱାରା ଉତ୍ପାଦ ମୂଲ୍ୟର କିୟାକାଂଶ ଭରଣା କରାଗଲା । କ୍ରମଶଃ ଏହି ଧାରା ବିଶ୍ୱବ୍ୟାପୀ ବ୍ୟାପିଲା । ଭାରତର ପ୍ରଥମ ସମ୍ୱାଦପତ୍ର ‘ହିକିସ ଗେଜେଟ’ର ପ୍ରଥମପୃଷ୍ଠା କେବଳ ବିଜ୍ଞାପନ ସ୍ଥାନିତ ହେଉଥିଲା । ଓଡ଼ିଶାରେ ମୁଦ୍ରିତ ଦୈନିକ ସମ୍ୱାଦପତ୍ରଗୁଡ଼ିକ ସ୍ୱାଧୀନୋତ୍ତର ଅବସ୍ଥାରୁ ମୂଳତଃ ସରକାରୀ ବିଜ୍ଞାପନ-ଆଶ୍ରିତ ମଡ଼େଲରେ ଋଦ୍ଧିମନ୍ତ ।


 

ଯୁକ୍ତରାଷ୍ଟ୍ର ଆମେରିକାରେ ଊନବିଂଶ ଶତାଦ୍ଦୀ ଆରମ୍ଭରେ ‘ପେନି ପ୍ରେସ’ ଖ୍ୟାତି ଲାଭ କରିଥିଲା । ‘ନ୍ୟୂୟର୍କ ସନ’ର ଖଣ୍ଡପିଚ୍ଛା ବିକ୍ରୀ ମୂଲ୍ୟ ଏହାର ସତ୍ତ୍ୱାଧିକାରୀ ପ୍ରତିଯୋଗୀ ସମ୍ୱାଦପତ୍ର ମୂଲ୍ୟର ଏକ ଷଷ୍ଠାଂଶକୁ କମାଇ ଦେବା ଫଳରେ ଏହାର ପ୍ରସାର ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଥିଲା । ଭାରତରେ ବିଂଶ ଶତାଦ୍ଦୀ ଶେଷ ଦଶକରେ ଅନ୍ୟତମ ଅଗ୍ରଣୀ ସମ୍ୱାଦପତ୍ର ପ୍ରକାଶନ ସଂସ୍ଥା ‘ଟାଇମ୍ସ ଅଫ ଇଣ୍ଡିଆ ଗୃପ’ ପକ୍ଷରୁ ସମ୍ୱାଦପତ୍ରର ପାଠକ ଆମନ୍ତ୍ରଣ ମୂଲ୍ୟ ‘ଇନଭିଟେସନ ପ୍ରାଇସ’ ଅର୍ଦ୍ଧାଧିକ କମାଇ ବିପୁଳ ଗ୍ରାହକ ସଂଗ୍ରହ କରି ବିଜ୍ଞାପନ ଆୟ ବୃଦ୍ଧି ଯୋଜନାକୁ ଗୁରୁତ୍ୱ ଦିଆଗଲା ।


 

ଏହାର ପ୍ରଭାବ ପ୍ରତିଯୋଗୀ ଇଂଲିଶ ସମ୍ୱାଦପତ୍ର ଏବଂ ଆଞ୍ଚଳିକ ସମ୍ୱାଦପତ୍ର ଶିଳ୍ପ ଉପରେ ପଡ଼ିଥିଲା । ଫଳରେ ମୁଦ୍ରିତ ସମ୍ୱାଦପତ୍ର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସତ୍ତ୍ୱେ ପ୍ରାୟ କୋଡ଼ିଏ ବର୍ଷ ଧରି ଖଣ୍ଡ ପିଚ୍ଛା ବିକ୍ରିମୂଲ୍ୟ ବୃଦ୍ଧି ହୋଇପାରି ନଥିଲା । ଏହା ମୌଳିକ ବ୍ୟାବସାୟିକ ନୀତିର ପରିପନ୍ଥୀ ହୋଇଥିବା ହେତୁ ବିଭିନ୍ନ କାରଣରୁ ବିଜ୍ଞାପନ ବ୍ୟୟ କମିଯିବା ଫଳରେ ସମ୍ୱାଦପତ୍ର ଶିଳ୍ପ ଅସମତୁଳ ଅର୍ଥନୀତି ସମ୍ମୁଖୀନ ହୋଇଥିଲା । ମହାମାରୀରେ ବିଜ୍ଞାପନ ଓ ପ୍ରସାର ଆୟ ସଂକୋଚନ ସଙ୍କଟ ସୃଷ୍ଟି ହେବା, ମହାମାରୀଜନିତ ଆର୍ଥିକ ମାନ୍ଦାବସ୍ଥା ଲାଗିରହିବା ତଥା ଡ଼ିଜିଟାଲ ମଞ୍ଚରେ ଜନସାଧାରଣ ଦୈନିକ ଭିତ୍ତିରେ ଦୀର୍ଘସମୟ ସଂଯୁକ୍ତ ରହିବା କାରଣରୁ ମୁଦ୍ରିତ ସମ୍ୱାଦପତ୍ର ଆୟ ମହାମାରୀ-ପୂର୍ବାବସ୍ଥାକୁ ନଫେରିବା ସନ୍ଦେହ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଜାତୀୟସ୍ତରରେ ଇଂଲିଶ ସମ୍ୱାଦପତ୍ର ସହ ଆଞ୍ଚଳିକ ଭାଷା ସମୂହର ସମ୍ୱାଦପତ୍ରଗୁଡ଼ିକ ମଧ୍ୟ କ୍ରମଶଃ ଏହି ବିପଦପୂର୍ଣ୍ଣ ପରିବେଶର ସମ୍ମୁଖୀନ ହେବା ଅବସରରେ ବିକଳ୍ପ ଆୟ ମଡ଼େଲ ଅନ୍ୱେଷଣ ଜରୁରି ହୋଇପଡ଼ିଛି ।


 

ବିଶ୍ୱ ଗଣମାଧ୍ୟମ ଉପତ୍ୟକାରେ ଦୀର୍ଘ ଦୁଇ ଶହ ବର୍ଷ ଧରି ବିଜ୍ଞାପନ-ଆଶ୍ରିତ ମଡ଼େଲ ବଳବତ୍ତର ରହି ଆସିଥିଲା । ମୁଦ୍ରିତ ସମ୍ୱାଦଶିଳ୍ପ ସାଙ୍ଗକୁ ରେଡ଼ିଓ, ଟେଲିଭିଜନ, ଇଣ୍ଟରନେଟ ମଞ୍ଚଗୁଡ଼ିକ ବିଜ୍ଞାପନ-ଆଶ୍ରିତ ମଡ଼େଲରେ ବିକଶିତ ହୋଇଥିଲେ । ବିଡ଼ମ୍ୱନାର ବିଷୟ ଏହିଯେ, ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ପରିଧିରୁ ବିଜ୍ଞାପନ ଡ଼ିଜିଟାଲ ମଞ୍ଚକୁ ଅପସାରିତ ହେଉଥିବା କୁହାଯାଉଥିଲେ ମଧ୍ୟ ତାହା କେବଳ ଫେସବୁକ, ଗୁଗୁଲ, ଆମେଜନ ଭଳି ଆଙ୍ଗୁଠି ଗଣତି କେତେଗୋଟି ମଞ୍ଚ ୮୫ ପ୍ରତିଶତ ଯାଏଁ ବିଜ୍ଞାପନ ଦାବୀ କରୁଛନ୍ତି । ଫଳରେ ଅନ୍ୟ ପାରମ୍ପରିକ ମଞ୍ଚ ସହ ନବ ବିକଶିତ ଡିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟ ସମଭାବରେ ଦୁର୍ଦ୍ଦଶାର ସମ୍ମୁଖୀନ ।


 

ବିଜ୍ଞାପନ ଆୟ ବଦଳରେ ଗ୍ରାହକଚାନ୍ଦା ଆୟରେ ସମ୍ୱାଦମଞ୍ଚଗୁଡ଼ିକ ପରିପୁଷ୍ଟ ହେବା ନିମନ୍ତେ ଦୀର୍ଘକାଳୀନ ପ୍ରସ୍ତୁତି ଆବଶ୍ୟକ । ମୁଖ୍ୟତଃ ଗ୍ରାହକ-କେନ୍ଦ୍ରୀକ ଗୁଣାତ୍ମକ ସାମ୍ୱାଦିକତା ପ୍ରଚଳନ ପରମ୍ପରାକ୍ରମେ ଅବହେଳିତ ହୋଇ ପଡ଼ିରହିଥିବା ହେତୁ ତତ୍ କ୍ଷଣାତ ସେହି ଧାରାରେ ସଫଳତା ଆଶା କରାଯାଇପାରେନା । ଏଣୁ ପରିବର୍ତ୍ତନର ମଧ୍ୟବର୍ତ୍ତୀକାଳୀନ ଅବସ୍ଥାରେ ଗଣମାଧ୍ୟମଗୁଡ଼ିକ ବ୍ୟୟ ସଂକୋଚନ ସହ ବିକଳ୍ପ ଆୟ ସନ୍ଧାନ କରିବାକୁ ପଡ଼ିବ । ସରକାରୀ ବିଜ୍ଞାପନକୁ ଭରସା କରି କୌଣସି ସମ୍ୱାଦ ମଞ୍ଚ ଦୀର୍ଘକାଳୀନ ସଫଳତା ପାଇପାରି ନଥିବା ଇତିହାସରୁ ପ୍ରମାଣିତ ଏବଂ ମୂଳତଃ ଏହି ପରମ୍ପରା ସାମ୍ୱାଦିକତାରେ ସ୍ୱାଭିମାନର ପରିପନ୍ଥୀ ।


 

ସାମ୍ୱାଦିକତାର ବିକାଶ ନିମନ୍ତେ ବଦାନ୍ୟତା-ଆଶ୍ରିତ ମଡ଼େଲ ଉପଯୋଗ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ଥିବା ଜଣାଯାଏ । ବଦାନ୍ୟତା-ଅର୍ଥନୀତି କ୍ଷେତ୍ରରେ ଗବେଷଣାଲବ୍ଧ ତଥ୍ୟ ଆଧାରିତ ‘ଦାଶରା / ବେନ ଏଣ୍ଡ କୋ ଇଣ୍ଡିଆ ଫିଲନ୍ଥ୍ରୋପି ରିପୋର୍ଟ ୨୦୨୧’ ଅନୁଯାୟୀ ୨୦୨୦ ଆର୍ଥିକ ବର୍ଷରେ ଦେଶରେ ୬୪ ହଜାର କୋଟି ଟଙ୍କା ବଦାନ୍ୟତା ବାବଦରେ ବ୍ୟୟ ହୋଇଥିଲା । ଏହି ରାଶି ମଧ୍ୟରୁ ୪୭ ପ୍ରତିଶତ ଶିକ୍ଷା, ୨୭ ପ୍ରତିଶତ ସ୍ୱାସ୍ଥ୍ୟସେବା ଏବଂ ମାତ୍ର ଚାରି ପ୍ରତିଶତ ଗ୍ରାମ୍ୟ ଉନ୍ନୟନକୁ ଅନୁଦାନ ପ୍ରଦାନ କରାଯାଇଛି ।


 

ସ୍ୱାଧୀନୋତ୍ତର ଭାରତରେ ବଦାନ୍ୟତାରେ ଗ୍ରାମ୍ୟ ଉନ୍ନୟନକୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ବୁଝାଯାଉଥିଲା । କିନ୍ତୁ ଘରୋଇ କ୍ଷେତ୍ରରେ ବଦନ୍ୟତା ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭ ବେଳକୁ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ କେନ୍ଦ୍ରୀଭୂତ ହୋଇଛି । ଏହି ପରିପ୍ରେକ୍ଷୀରେ ସାମ୍ୱାଦିକତା ଶିକ୍ଷାର ଅଂଶ ବିଶେଷ ଭାବେ ଜନଚ଼େତନା ପ୍ରସାର, ସମାଜ ସଂସ୍କାର ଓ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠାରେ ପର୍ଯ୍ୟବସିତ ହେଉଥିବା ହେତୁ ସମ୍ୱାଦପତ୍ର ପ୍ରକାଶଗଣ ବେସରକାରୀ ବଦାନ୍ୟତା ପାଣ୍ଠି ଆହରଣ କରିବାରେ ସମର୍ଥ ହେବା ବିଶ୍ୱାସ କରାଯାଏ ।


 

ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ଅନ୍ୟ କେତେକ ପରିସଂଖ୍ୟାନ ମଧ୍ୟରେ ୨୦୨୦ ହିସାବରେ ଶିଳ୍ପ ପ୍ରତିଷ୍ଠାନ ବା ବ୍ୟବସାୟିକ ସଂଗଠନର ‘କର୍ପୋରେଟ ସୋସିଆଲ ରେସପନସିବିଲିଟି’ ଏବଂ ବୈଦେଶିକ ଅନୁଦାନ ବ୍ୟୟ ତୁଳନାରେ ବ୍ୟକ୍ତିସ୍ତରୀୟ ଦାନର ପରିମାଣ ବାର୍ଷିକଭିତ୍ତିରେ ବୃଦ୍ଧି ପାଇବାରେ ଲାଗିଛି । ବ୍ୟକ୍ତିସ୍ତରୀୟ ଦାନର ପରିମାଣ ୨୦୧୯ ତୁଳନାରେ ୨୦୨୦ରେ ୪୨ ପ୍ରତିଶତ ବୃଦ୍ଧି ପାଇଥିବା ସ୍ଥଳେ ବୈଦେଶିକ ଅନୁଦାନ ଛଅ ପ୍ରତିଶତ ହ୍ରାସ ପାଇଥିଲା ।


 

ମହାମାରୀ ପ୍ରଭାବରେ କମ୍ପାନୀକେନ୍ଦ୍ରୀକ ‘କର୍ପୋରେଟ ସୋସିଆଲ ରେସପନସିବଲିଟି’ ବ୍ୟୟ ୨୦୨୦ରେ କମିଥିଲା । ଅନ୍ୟପକ୍ଷରେ କମ୍ପାନୀଗୁଡ଼ିକର ବଦାନ୍ୟତା ବ୍ୟୟ ପ୍ରଧାନମନ୍ତ୍ରୀଙ୍କ ‘ସିଟିଜେନ ଆସିଷ୍ଟାଣ୍ଟସ ଏଣ୍ଡ ରିଲିଫ ଇନ ଏମାରଜେନ୍ସି ସିଟିଉସନ ଫଣ୍ଡ’ ଅଭିମୁଖୀ ହେବା ଆଶଙ୍କା ମଧ୍ୟ ଘନୀଭୂତ ହେବାରେ ଆଶିଂକ ପ୍ରକାଶ ପାଇଥିଲା । ଗଣମାଧ୍ୟମରେ ନିବେଶ ଦୃଷ୍ଟିରୁ ବିଚାର କଲେ କମ୍ପାନୀଗୁଡ଼ିକର ବଦାନ୍ୟତା ନିକଟ ଭବିଷ୍ୟତରେ ସମ୍ୱାଦପତ୍ର ଭାଗରେ ପଡ଼ିନପାରେ ।


 

ଦେଶରେ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥା ପରିବେଶରେ ଶହେ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତିର ମାଲିକ ‘ବିଲିୟନରି’ଙ୍କ ସଂଖ୍ୟା ୨୦୨୦ ଏପ୍ରିଲରୁ ଜୁନ ମଧ୍ୟରେ ୩୫ ପ୍ରତିଶତ ବଢ଼ିଥିବା ‘ପ୍ରାଇସ ୱାଟରହାଉସ ଏଣ୍ଡ କୂପର’ଙ୍କ ବିବରଣୀରେ ଉଲ୍ଲେଖ କରାଯାଇଛି । ସେହିପରି ‘ଏଲଡ଼ରୱାଇଜ ରିପୋର୍ଟ ଅନ ଫେମିଲି ୱେଲଥ’ ବିଶ୍ଳେଷଣରେ ୨୦୨୫ ସୁଦ୍ଧା ଦେଶରେ ପ୍ରାୟ ଚାରି ଲକ୍ଷ ଧନ୍ୟାଢ୍ୟ ବ୍ୟକ୍ତି ‘ହାଇ-ନେଟ-ୱାର୍ଥ-ଇଣ୍ଡିଭିଜୁଆଲସ’ ବଦାନ୍ୟତା ନିମନ୍ତେ ପ୍ରସ୍ତୁତ ଥିବା ଜଣାଯାଏ । ଜନସ୍ୱାର୍ଥରେ ଉତ୍ସର୍ଗୀକୃତ ସମ୍ୱାଦମଞ୍ଚର ବିକାଶକଳ୍ପେ ଏହି ବର୍ଗରୁ ଦାନ ସଂଗ୍ରହ ଉଦ୍ୟମ ଯୁକ୍ତିଯୁକ୍ତ ମନେହୁଏ ।


 

ସମ୍ୱାଦମଞ୍ଚ, ଉଭୟ ପାରମ୍ପରିକ ମୁଦ୍ରଣ କିମ୍ୱା ଡିଜିଟାଲ କ୍ଷେତ୍ରରେ ବଦାନ୍ୟତା-ଆଶ୍ରିତ ମଡ଼େଲ ଉପଯୋଗକଳ୍ପେ ମାଲିକାନା ‘ଓନରସିପ’, ଦୃଷ୍ଟିକୋଣ ‘ଅବଜେକ୍ଟିଉଭ’ ଓ ପରିଚାଳନା ‘ମ୍ୟାନେଜମେଣ୍ଟ’ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ । ପ୍ରଥମତଃ, ବ୍ୟକ୍ତିଗତ କିମ୍ୱା କମ୍ପାନୀ ମାଲିକାନାରେ ବ୍ୟାବସାୟିକଭିତ୍ତିରେ କାର୍ଯ୍ୟକ୍ଷମ ସମ୍ୱାଦମଞ୍ଚ ଦାନ ସଂଗ୍ରହ ଶୋଭନୀୟ ସାବ୍ୟସ୍ତ ହୋଇନପାରେ । ଅଣ-ବ୍ୟାବସାୟିକ ସଂସ୍ଥା, ଯଥା: ନ୍ୟାସ ସଂସ୍ଥା ‘ଟ୍ରଷ୍ଟ’ କିମ୍ୱା ସଂଘ ‘ସୋସାଇଟି’ ମାଲିକାନାରେ ପରିଚାଳିତ ସମ୍ୱାଦମଞ୍ଚ ଦାନ ସଂଗ୍ରହ ନିମନ୍ତେ ଯୋଗ୍ୟ । ଦ୍ୱିତୀୟତଃ, ସମ୍ୱାଦ ମଞ୍ଚର ଦୃଷ୍ଟିକୋଣ ଅର୍ଥାତ ବୃହତ୍ତର ସାମାଜିକ ସ୍ୱାର୍ଥ ସଂରକ୍ଷଣରେ ସମ୍ୱାଦମଞ୍ଚର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପର୍ଯ୍ୟବସିତ ହେଲେ ଯାଇ ଜନସାଧାରଣଙ୍କ ନିବେଶ ଆଶା କରାଯାଇପାରେ । ତୃତୀୟତଃ, ପାରମ୍ପରିକଭାବେ ସମ୍ୱାଦମଞ୍ଚଗୁଡ଼ିକ ପକ୍ଷରୁ ବିଜ୍ଞାପନ ଆୟ ସଂଗ୍ରହ ଓ ପ୍ରସାର ସଂଖ୍ୟା ବୃଦ୍ଧି ପାଇଁ ପରିଚାଳନାଗତ ଯତ୍ନ ବଦଳରେ ପାଠକ-ସଂପୃକ୍ତି ‘ରିଡ଼ର୍ସ ଏଙ୍ଗେଜମେଣ୍ଟ’ ପ୍ରତି ଗୁରୁତ୍ୱରେ ପରିବର୍ତ୍ତିତ ହେବା ଆବଶ୍ୟକ । ଏଥିନିମନ୍ତେ ସମ୍ୱାଦ ମଞ୍ଚ ପକ୍ଷରୁ ଅନବରତ କାର୍ଯ୍ୟକ୍ରମ ପରିକଳ୍ପନା ଓ ପ୍ରଣୟନ ଅପରିହାର୍ଯ୍ୟ ।


 

ବିଜ୍ଞାପନ-ଆଶ୍ରିତ ଓ ଗ୍ରାହକଚାନ୍ଦା-ଆଶ୍ରିତ ମଡ଼େଲରୁ ବଦାନ୍ୟତା-ଆଶ୍ରିତ ମଡ଼େଲକୁ ପରିବର୍ତ୍ତନ ଦୀର୍ଘ ମିଆଦୀ ଯୋଜନା । ଉଦାହରଣରେ, ଅନ୍ତତଃପକ୍ଷେ ପାଞ୍ଚବର୍ଷ ଧରି ସଂଗଠିତ ଉଦ୍ୟମରେ ସମ୍ୱାଦମଞ୍ଚର ସ୍ଥାୟୀ ପାଣ୍ଠି ‘କର୍ପାସ’ ସୃଷ୍ଟି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିପାରିବା ବିଶ୍ୱାସ କରାଯାଇପାରେ । ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ଏବଂ ସେମାନେ ପ୍ରତ୍ୟକ୍ଷଭାବେ ସମ୍ୱାଦମଞ୍ଚରେ ସାମିଲ ହୋଇ ଅର୍ଥ ନିବେଶ କରିବା ପରିବେଶ ସୃଷ୍ଟି ନିମନ୍ତେ ସମ୍ୱାଦ ମଞ୍ଚଗୁଡ଼ିକ ପ୍ରାଥମିକଭାବେ ଜନସ୍ୱାର୍ଥ ସଂବଳିତ ଅନ୍ତତଃ ପକ୍ଷେ ଗୋଟିଏ ବିଷୟରେ ପ୍ରତି ମାସକ ବା ଦୁଇ ମାସ ଅନ୍ତରରେ ସମ୍ୱାଦ ଅଭିଯାନ ‘ନିଉଜ ଏଡଭୋକେସି’ ଜାରି ରଖିବାକୁ ପଡ଼ିବ । ସମାଜର ବିଭିନ୍ନ ବର୍ଗର ସୁବିଧା-ଅସୁବିଧା ଅଭାବ-ଅଭିଯୋଗ ପ୍ରତି ସମ୍ୱାଦ ମଞ୍ଚ ସମ୍ୱେଦନଶୀଳ ହେବା ନିମନ୍ତେ କ୍ରମାଗତ ସମ୍ୱାଦ ପ୍ରକାଶନରେ ବ୍ୟବସ୍ଥା ଜରୁରୀ ।


 

ଆନ୍ତର୍ଜାତିକସ୍ତରରେ ବଦାନ୍ୟତା-ଆଶ୍ରିତ ମଡ଼େଲ କାର୍ଯ୍ୟକାରୀ କରିବା ଦିଗରେ ସମ୍ୱାଦମଞ୍ଚଗୁଡ଼ିକ ତିନିଗୋଟିସ୍ତରରେ ଦାନ ସଂଗ୍ରହ କରିଥାନ୍ତି । ପ୍ରଥମତଃ, ବ୍ୟକ୍ତି କିମ୍ୱା ଅନୁଷ୍ଠାନଗୁଡ଼ିକରୁ ସମ୍ୱାଦ ମଞ୍ଚର ସ୍ଥାୟୀପାଣ୍ଠି ଲାଗି ଦାନ ସଂଗ୍ରହ ନିମନ୍ତେ ଦୀର୍ଘକାଳ ଧରି ପ୍ରରୋଚନା ଜାରିରହେ । ଏଥିରେ ବରିଷ୍ଠ ସାମ୍ୱାଦିକ ଓ ଦାନସଂଗ୍ରହ ନିମନ୍ତେ ସ୍ୱତନ୍ତ୍ର ଭାବେ ନିଯୁକ୍ତ କର୍ମଚାରୀମାନେ ଅଂଶ ଗ୍ରହଣ କରନ୍ତି । ଦ୍ୱିତୀୟତଃ, ସାଧାରଣ ପାଠକମାନଙ୍କଠାରୁ ଗ୍ରାହକଚାନ୍ଦା ବଦଳରେ ସଦସ୍ୟତା ଚାନ୍ଦା ‘ମେମ୍ୱରସିପ ଫି’ ସଂଗ୍ରହ କରାଯାଏ । ସଦସ୍ୟତା ଚାନ୍ଦା ଗ୍ରାହକ ଚାନ୍ଦାଠାରୁ ଅଧିକ ରହେ । ସଦସ୍ୟମାନେ ସମ୍ୱାଦମଞ୍ଚରେ ଗ୍ରାହକମାନେ ପାଉଥିବା ସୁବିଧା ସୁଯୋଗ ସହ ଅଧିକା;  ଉଦାହରଣରେ ସମ୍ୱାଦ ମଞ୍ଚ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ନିମନ୍ତ୍ରଣ ଇତ୍ୟାଦି ଉପଭୋଗ କରନ୍ତି । ସଦସ୍ୟତା ସଂଗ୍ରହ ପାଇଁ ନିଯୁକ୍ତ କର୍ମଚାରୀମାନେ ଅଞ୍ଚଳଭିତ୍ତିରେ ନିୟମିତ ଉଦ୍ୟମ ଜାରି ରଖନ୍ତି ।


 

ସମାଜର ନିର୍ଦ୍ଦିଷ୍ଟ ବର୍ଗର ନିର୍ଦ୍ଦିଷ୍ଟ ସମସ୍ୟା ରହିଥାଏ । ଏଥିପ୍ରତି ସର୍ବସାଧାରଣରେ ପ୍ରଚାର ଓ ପ୍ରକାଶନ ବା ସରକାରଙ୍କ ଉପରେ ଚାପ ପ୍ରୟୋଗ ନିମନ୍ତେ ଗଣମାଧ୍ୟମର ସହଯୋଗ ଆବଶ୍ୟକ ପଡ଼େ । ନ୍ୟାର୍ଯ୍ୟ ଦାବୀ ସପକ୍ଷରେ ଜନମତ ଜାଗ୍ରତ କରିବା ଲାଗି ସମ୍ୱାଦମଞ୍ଚଗୁଡ଼ିକ ମୂଲ୍ୟଯୁକ୍ତ ସମ୍ପାଦକୀୟ ସେବା ‘ଏଡ଼ଭୋଟୋରିଆଲ’ର ସୁବିଧା ଯୋଗାଇ ପାରିବେ । ଏହି ଅର୍ଥ ସମ୍ୱାଦମଞ୍ଚର ପରିଚାଳନାରେ ବିନିଯୋଗ ହେଲେ ଅନୈତିକ ପର୍ଯ୍ୟାୟଭୁକ୍ତ ହେବ ନାହିଁ । କାରଣ ଏହି କ୍ଷେତ୍ରରେ ସମ୍ୱାଦ ମଞ୍ଚର ନୀତି ସୁସ୍ପଷ୍ଟ ଏବଂ ପୂର୍ବ-ଘୋଷିତ । ବ୍ୟାବସାୟିକ ବିଜ୍ଞାପନ ଅଭାବରେ ସାମାଜିକ ବିଜ୍ଞାପନ ସମ୍ୱାଦ ମଞ୍ଚର ଗୁଣବତ୍ତାକୁ ଆହତ କରିନପାରେ ।


 

ସମ୍ୱାଦମଞ୍ଚଗୁଡ଼ିକ ବ୍ୟାବସାୟିକ ଢାଞ୍ଚାରୁ ଅଣ-ବ୍ୟାବସାୟିକ ଢାଞ୍ଚାକୁ ପରିବର୍ତ୍ତିତ ହେଲେ ସମ୍ପାଦକୀୟ ପରକୁ ପରିଚାଳନା ବିଭାଗକୁ ସଶକ୍ତ କରିବାକୁ ପଡ଼ିବ । ଆଧୁନିକ ବ୍ୟବସାୟ ପରିଚାଳନା ନୀତି ନିୟମ ଉପଯୋଗରେ ଲକ୍ଷ୍ୟଭିତ୍ତିକ ଯୋଜନା ପ୍ରଣୟନରେ ଓ ସାମୟିକ ସମୀକ୍ଷାରେ ଅବଶ୍ୟ ସଫଳତା ମିଳିବା ବିଶ୍ୱାସ କରାଯାଇପାରେ ।


 

ଓଡ଼ିଶାରେ ଅଧିକାଂଶ ଗଣମାଧ୍ୟମ ମଞ୍ଚ, ଉଭୟ ପାରମ୍ପରିକ ଓ ଡିଜିଟାଲ, ବ୍ୟକ୍ତିକେନ୍ଦ୍ରୀକ ଉଦ୍ୟମରେ ପର୍ଯ୍ୟବସିତ ହୋଇଥିବା ହେତୁ କୌଣସି ଯୋଜନାର ସଫଳ ପ୍ରୟୋଗ ସଂଭବପର ହୋଇପାରେ ନାହିଁ । ବଦାନ୍ୟତା-ଆଶ୍ରିତ ମଡ଼େଲର ବିକାଶ ନିମନ୍ତେ ସଂଘବଦ୍ଧ ଉଦ୍ୟମ ଅନିର୍ବାଯ୍ୟ । ଏକକ ପ୍ରଚେଷ୍ଟାରେ ପୃଷ୍ଠପୋଷକ ଓ କର୍ମଚାରୀ ଚ଼ିହ୍ନଟ ତଥା ସମ୍ଭାବ୍ୟ ମଞ୍ଚର ଆକାର ପରିକଳ୍ପନାରେ ଦୀର୍ଘସମୟ ବିନିଯୋଗ କରାଯାଇପାରେ । ସଂବଳ ସଂଗ୍ରହ ଓ ପୃଷ୍ଠପୋଷକ ସୃଷ୍ଟିପରେ ଯାଇ ସମ୍ୱାଦ ମଞ୍ଚରେ ପ୍ରକାଶନ କାର୍ଯ୍ୟକ୍ରମ ପ୍ରସ୍ତୁତ ସମ୍ଭବ ।


 

ଏଦିଗରେ ପ୍ରତ୍ୟେକ ଦିନ, ସପ୍ତାହ, ମାସର କାର୍ଯ୍ୟକ୍ରମ ନିପୂଣ ପରିକଳ୍ପନା ବିନା ସଫଳତା ଆଶା କରାଯାଇପାରେନା । ଏକ ପୃଥୁଳ ବିବରଣୀ ‘ପ୍ରୋଜେକ୍ଟ ରିପୋର୍ଟ’ ପ୍ରସ୍ତୁତି ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । କାରଣ ଏତଦ୍ୱାରା ପ୍ରସ୍ତାବକଙ୍କ ଚିନ୍ତାଧାରା ସହଯୋଗୀମନଙ୍କୁ କାର୍ଯ୍ୟଧାରା ସଂପର୍କରେ ଅବଗତ ହେବାରେ ସାହାଯ୍ୟକରେ ଏବଂ ନିୟମିତ ସମୀକ୍ଷା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ସୃଷ୍ଟି କରିପାରେ ।


 

ସମ୍ୱାଦଶିଳ୍ପରେ ଗଣମାଧ୍ୟମ ମଞ୍ଚଗୁଡ଼ିକ ତିନି ବର୍ଗରେ ବିଭକ୍ତ – ଜାତୀୟ, ରାଜ୍ୟସ୍ତରୀୟ ଓ ସ୍ଥାନୀୟ । ଡିଜିଟାଲ ମଞ୍ଚ ପ୍ରସାରରେ ଗଭୀର ଆଞ୍ଚଳିକଭିତ୍ତିକ ‘ହାଇପର-ଲୋକାଲ’ ସମ୍ୱାଦ ମଞ୍ଚ ଧାରା ବିକଶିତ ହେବ । ବୈଷିୟିକ ଦକ୍ଷତା ହେତୁ ଡିଜିଟାଲ ମଞ୍ଚରେ ସ୍ୱାଧୀନ ସାମ୍ୱାଦିକତା ‘ଇଣ୍ଡିପେଣ୍ତେଣ୍ଟ ଜର୍ଣ୍ଣାଲିଜମ’ ମଞ୍ଚଗୁଡ଼ିକ ବିଜ୍ଞାପନ ଆଶ୍ରିତ ବଦଳରେ ଗ୍ରାହକଚାନ୍ଦା-ଆଶ୍ରିତ ଓ ବଦାନ୍ୟତା-ଆଶ୍ରିତ ମଡ଼େଲକୁ ଆୟୁଧ କରିବା ସୁନିଶ୍ଚିତ । ଏହା ସାମ୍ୱାଦିକତାର ପାରମ୍ପରିକ ଭିତ୍ତିଭୂମିକୁ ଦୋହଲାଇ ଦେବ ।

 

ସାଧାରଣ ଉପଭୋକ୍ତା ସୋସିଆଲ ମିଡ଼ିଆରୁ ଉର୍ଦ୍ଧ୍ୱକୁ ଯାଇ ଆଞ୍ଚଳିକ ସାମ୍ୱାଦିକତାରେ ଅଟକି ଯିବେ । ରାଜ୍ୟସ୍ତର ଓ ଜାତୀୟସ୍ତରରେ ସମ୍ୱାଦମଞ୍ଚଗୁଡ଼ିକର ଭିଡ଼ ବହୁ ପରିମାଣରେ ହ୍ରାସ ପାଇବ । ଅନ୍ୟପକ୍ଷରେ ଗୁଣାତ୍ମକ ସମ୍ୱାଦ ପରିବେଷଣରେ ଦକ୍ଷତା ହାସଲ କରୁଥିବା ସ୍ୱଳ୍ପ ସଂଖ୍ୟକ ମଞ୍ଚ ଉଚ୍ଚସ୍ତରରେ ତିଷ୍ଠି ରହିବେ । ଏହାର ଉଦାହରଣ ୨୦୨୧ ସୁଦ୍ଧା ମାର୍କିନ ସାମ୍ୱାଦିକତାରେ ପ୍ରତିଫଳିତ । ଏହି ସବୁ ପୂର୍ବାନୁମାନ ବିଚାରକୁ ନେଲେ ସମ୍ୱାଦମଞ୍ଚରେ ବଦାନ୍ୟତା-ଆଶ୍ରିତ ମଡ଼େଲ ନିକଟ ଭବିଷ୍ୟତରେ ଗୁରୁତ୍ୱ ଲାଭ କରିବା ବିଶ୍ୱାସ କରାଯାଇପାରେ ।     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୬ ଏପ୍ରିଲ ୨୦୨୧

ନନ-ପ୍ରଫିଟ ନିଉଜ

‘ନନ-ପ୍ରଫିଟ ନିଉଜ’ କହିଲେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ପାଶ୍ଚାତ୍ୟ ଭୂଖଣ୍ଡ, ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ଏବଂ ପାଠକ ସମୂହଙ୍କ ଦାନ ସୂତ୍ରରେ ଋଦ୍ଧିମନ୍ତ ସମ୍ୱାଦଶିଳ୍ପକୁ ବୁଝାଏ । ନନ-ପ୍ରଫିଟର ଓଡ଼ିଆ ଅନୁବାଦ ଖୋଜି ବାହାର କରିବା କିମ୍ୱା ସୃଜନ କଷ୍ଟସାଧ୍ୟ ବୋଧହୁଏ । ନନ-ପ୍ରଫିଟ ‘ଅଣ-ବ୍ୟାବସାୟିକ’ ନୁହ । କାରଣ ଏଭଳି ପରିବେଶରେ ଆୟ ବ୍ୟୟ ଓ ଲାଭ ଜଡ଼ିତ । ବ୍ୟୟ ତୁଳନାରେ ଆୟ ବୃଦ୍ଧି ନିମନ୍ତେ ସମ୍ୱାଦ ସଂସ୍ଥାଗୁଡ଼ିକ ପକ୍ଷରୁ ଯତ୍ନ ନିଆଯାଇଥାଏ । ତେବେ ପ୍ରକଳ୍ପଗୁଡ଼ିକରେ ଯେଉଁମାନେ ଅର୍ଥ ନିବେଶ କରିଥାନ୍ତି ସେମାନେ ବ୍ୟବସାୟରୁ ଲାଭ ଆଶା ରଖି ନଥାନ୍ତି । ଅର୍ଥାତ ନନ-ପ୍ରଫିଟ ନିଉଜ ଲାଭ-ରହିତ-ନିବେଶ-ପ୍ରଭାବିତ ସମ୍ୱାଦଶିଳ୍ପକୁ ସୂଚ଼ିତ କରିଥାଏ ।


 

ନନ-ପ୍ରଫିଟ ନିଉଜରେ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ, ଭିଡ଼ିଓ ଓ ୱେବ ଇତ୍ୟାଦି ଯାବତୀୟ ସମ୍ୱାଦ ପ୍ରସାରଣରେ ସଂପୃକ୍ତ ମାଧ୍ୟମ ଅନ୍ତର୍ଭୁକ୍ତ । ପାଶ୍ଚାତ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକରେ ସ୍ମାର୍ଟଫୋନ, ସୋସିଆଲ ମିଡ଼ିଆ ଓ ମେସେଞ୍ଜର ଆପ୍ଲିକେସନଗୁଡ଼ିକର ଲୋକପ୍ରିୟତା ବ୍ୟାବସାୟିକ ବିଜ୍ଞାପନଧାରା ଅନଲାଇନ ପରିବେଶକୁ ଟାଣି ନେଇଛି । ଫଳରେ ବିଜ୍ଞାପନଆଶ୍ରିତ ଗଣମାଧ୍ୟମ ବ୍ୟବସାୟ ବିଜ୍ଞାପନରୁ ସିଂହଭାଗ ରାଜସ୍ୱ ହାନୀ କାରଣରୁ ପାରମ୍ପରିକ ଧାରାରେ ଚଳିବା ସମ୍ଭବପର ହୋଇପାରୁ ନାହିଁ ।ବହୁ ପ୍ରତିଷ୍ଠିତ ସମ୍ୱାଦ ସଂସ୍ଥା ବନ୍ଦ ହୋଇଯିବା, ପୃଷ୍ଠା ତଥା କାର୍ଯ୍ୟକ୍ରମ କାଟଛାଟ, କର୍ମଚ଼ାରୀ ଛଟେଇ, ମାଲିକାନାହସ୍ତାନ୍ତର କିମ୍ୱା ବିକଳ୍ପ ବ୍ୟାବସାୟିକ ମଡ଼େଲର ଶରଣାପନ୍ନ ହେବାରେ ଲାଗିଛନ୍ତି ।


 

ସାମ୍ୱାଦିକତାରେ ଉତ୍କର୍ଷତା ସମ୍ୱାଦ ଶିଳ୍ପର ଆଧାର । ଉଚ୍ଚ ମାନର ସାମ୍ୱାଦିକତା ନିମନ୍ତେ ଅନ୍ୟାନ୍ୟ ଉପଯୋଗ ବ୍ୟତୀତ ପ୍ରଚୁର ଅର୍ଥ ନିବେଶ ଆବଶ୍ୟକ ପଡ଼ିଥାଏ । ତେବେ ସମ୍ୱାଦଶିଳ୍ପ ବିଜ୍ଞାପନ ରାଜସ୍ୱ ଉପରେ ନିର୍ଭରଶୀଳ ଥିବା ସ୍ଥଳେ ବିଜ୍ଞାପନର ଅଭାବରେ ସାମ୍ୱାଦିକତାକୁ ଉଜ୍ଜୀବିତ ରଖିବା ନିମନ୍ତେ ବିକଳ୍ପ ସୂତ୍ରରୁ ଅର୍ଥ ସଂଗ୍ରହ ନିମନ୍ତେ ଯତ୍ନଶୀଳ ହେବାକୁ ପଡୁଛି । ଉତ୍ତମ ସାମ୍ୱାଦିକତାରେ ରୁଚ଼ି ରଖୁଥିବା ପାଠକମାନେ ସାମ୍ୱାଦିକତାର ମାନରକ୍ଷା ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇବା ନିମନ୍ତେ ଆଗେଇ ଆସିଛନ୍ତି । ଏହି ସୂତ୍ରରେ ଅର୍ଥ ସଂଗ୍ରହଲାଗି ସମ୍ୱାଦଶିଳ୍ପଗୁଡ଼ିକ ପକ୍ଷରୁ ବିଧିବଦ୍ଧ ଆନୁଷ୍ଠାନିକ ଉଦ୍ୟମ ସଂଯୋଜନା କରାଯାଉଛି ।


 

ଆମ ଦେଶରେ ସ୍ୱେଚ୍ଛାସେବୀ ସଂଗଠନମାନ ଗ୍ରାମ୍ୟ ତଥା ଅବହେଳିତବର୍ଗଙ୍କ ଉନ୍ନୟନ ନିମନ୍ତେ ଯୋଜନା ପ୍ରଣୟନ ଲାଗି ଦାନ ସୂତ୍ରରେ ପାଣ୍ଠି ସଂଗ୍ରହ କରିବା ବିଧିରେ ନନ-ପ୍ରଫିଟ ନିଉଜ ପାଇଁ ନିବେଶ ସଂଗ୍ରହ ହୋଇଥାଏ । ଜନକଲ୍ୟାଣଲାଗି ଗଠିତ ଟ୍ରଷ୍ଟଫଣ୍ଡଗୁଡ଼ିକପକ୍ଷରୁ ଗଣତନ୍ତ୍ରର ସୁରକ୍ଷା ତଥା ସାମାଜିକ ସମୀକ୍ଷାଲାଗି ଗୁଣାତ୍ମକ ସାମ୍ୱାଦିକତାର ଭୂମିକା ହୃଦୟଙ୍ଗମ କରି ଗଣମାଧ୍ୟମର ବିଭିନ୍ନ ପ୍ରକଳ୍ପରେ ଅର୍ଥଲଗାଣକୁ ଆଗ୍ରାଧିକାର ଦେଉଛନ୍ତି । ଦ୍ୱିତୀୟବର୍ଗରେ ବଦାନ୍ୟ ବ୍ୟକ୍ତିବିଶେଷ ସାମ୍ୱାଦିକତାର ଉତ୍କର୍ଷତା ବିକାଶଲାଗି ଆଗ୍ରହ ପ୍ରକାଶ କରୁଛନ୍ତି । ତୃତୀୟବର୍ଗରେ ସାଧାରଣ ପାଠକମାନେ ମଧ୍ୟ ସାମ୍ୱାଦିକତାର ଦୁର୍ଦ୍ଦିନରେ ଯଥାଶକ୍ତି ଚ଼ାନ୍ଦା ଦେବା ନିମନ୍ତେ ପଛାଉ ନାହାନ୍ତି ।


 

ନନ-ପ୍ରଫିଟ ନିଉଜ ପକ୍ଷରୁ ସମ୍ୱାଦପତ୍ର ପତ୍ରପତ୍ରିକାର ଗ୍ରାହକଚ଼ାନ୍ଦା ବଦଳରେ ମାସିକ, ତ୍ରୟମାସିକ, ଅର୍ଦ୍ଧବାର୍ଷିକ ବା ବାର୍ଷିକ ସଭ୍ୟ ଚ଼ାନ୍ଦା, ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ୱା ସ୍ୱତନ୍ତ୍ର ପ୍ରକଳ୍ପମାନ ଆୟୋଜନକରି ପାଣ୍ଠି ସଂଗ୍ରହ ଲାଗି ଯତ୍ନବାନ ହେଉଛନ୍ତି । ସ୍ଥଳବିଶେଷରେ କୌଣସି ଏକ ଘଟଣାର ପର୍ଦ୍ଦାଫାସ କିମ୍ୱା ଅନୁଧ୍ୟାନ ପାଇଁ ମଧ୍ୟ ଆବଶ୍ୟକ ପଡୁଥିବା ଖର୍ଚ୍ଚ ଚ଼ାନ୍ଦା ସୂତ୍ରରେ ଭରଣା କରିବା ‘କ୍ରାଉଡ଼ ସୋର୍ସିଂ’ନିମନ୍ତେ ପଛାଉ ନାହାନ୍ତି ।


 

ଉଚ୍ଚାଙ୍ଗ ସାମ୍ୱାଦିକତା ନିମନ୍ତେ ସାମର୍ଥ୍ୟ, ସମୟ ଓ ଅର୍ଥ ଆବଶ୍ୟକ ପଡ଼ିଥାଏ । ଉଦାହରଣରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ତୀର୍ଥଯାତ୍ରୀଙ୍କ ଅଭିଜ୍ଞତା ବିଚ଼ାରକୁ ନିଆଯାଉ । ସମସ୍ତଙ୍କ ଧାରଣା ଏହା ତିକ୍ତ । କିନ୍ତୁ କେତେ ତିକ୍ତ ନା ପ୍ରକାରନ୍ତେ ମଧୁର, ବାସ୍ତବ ସ୍ଥିତି ସଂପର୍କରେ ତଥ୍ୟ ନାହିଁ ।ଅନ୍ତତଃପକ୍ଷେ ଜଣେ ପୁରୁଷ ଓ ଜଣେ ମହିଳା, ଦୁଇଜଣ ସାମ୍ୱାଦିକ ତିନିମାସଧରି ଯଦି ପ୍ରତିଦିନ ଜଣେ କିମ୍ୱା ଗୋଟିଏ ପରିବାର ପୁରୀ ପର୍ଯ୍ୟଟନରେ ଦିନିଟିଏ କିପରି ବିତାଉଛନ୍ତି ଅନୁଧ୍ୟାନ କରି ପ୍ରାୟ ଶହେ ଜଣଙ୍କ ଅଭିଜ୍ଞତା ଏକାଠି କରି ଫିଚ଼ରଟିଏ ପ୍ରସ୍ତୁତ କରନ୍ତେ, ତେବେ ଏକେତ ତାହା ବେଶ ପଠନୀୟ ହୁଅନ୍ତା, ଏହାଛଡ଼ା ବାସ୍ତବ କ୍ଷେତ୍ରରେ ଆମ ଆତିଥ୍ୟପରାୟଣତାର ସ୍ୱରୂପ ପରଖିବା ପାଇଁ ସୁଯୋଗଟିଏ ମିଳନ୍ତା ।ଲେଖା ସହ ପ୍ରାମାଣିକ ତଥ୍ୟ ସମ୍ୱଳିତ ଭିଡ଼ିଓଟିଏ ମଧ୍ୟ ପ୍ରସ୍ତୁତ କରାଯାଇ ପାରନ୍ତା ।


 

ଏଭଳି ସାଂବାଦିକତା ଲାଗି ଦୈନିକ ୨,୦୦୦ ଟଙ୍କା ହିସାବରେ ଦୁଇ ଜଣ ସାମ୍ୱାଦିକଙ୍କ ପାଇଁ ଅନ୍ତତଃ ମାସିକ ୧ ଲକ୍ଷ ୨୦ ହଜାର ତଥା ତିନିମାସ ଲାଗି ୩ ଲକ୍ଷ ୬୦ ହଜାର ରୁ ୪ ଲକ୍ଷ ଟଙ୍କା ନିବେଶ ଆବଶ୍ୟକ । ଆଜିକା ବଜାର ଦରରେ ଜଣେ ବାହାର ସହରର ସାମ୍ୱାଦିକ ପୁରୀରେ ଦୈନିକ ଦୁଇ ହଜାର ଟଙ୍କାରୁ କମରେ ଚଳିବା ହୁଏତ ସମ୍ଭବପର ନୁହେ ।ଅନ୍ତତଃପକ୍ଷେ ଶହେ ଜଣ ତୀର୍ଥଯାତ୍ରୀଙ୍କ ଅନୁଭୂତି ଶୁଣିଲେ ହିଁ ଯାଇ ପାଞ୍ଚ ସାତଗୋଟି ଆକର୍ଷଣୀୟ କାହାଣୀ ନିର୍ବାଚନ କରିହେବ ।ଏହା ସାମ୍ୱାଦିକତାର ମୌଳିକ ସୂତ୍ର ।


 

ଆମ ଓଡ଼ିଆ ସାମ୍ୱାଦିକତାରେ ଫିଚ଼ରଟିଏ ପାଇଁ ଚ଼ାରି ଲକ୍ଷ ଟଙ୍କା ବିନିଯୋଗ ଅବାସ୍ତବ ମନେ ହେଇପାରେ । ତେବେ ଏଭଳି ଏକ ରଚ଼ନାପାଇଁ ଯଦି ହଜାରେ ଜଣ ପାଠକ ଜଣ ପିଛା ୫୦୦ ଟଙ୍କା ନିବେଶ କରିପାରିବେ ତେବେ ପ୍ରକଳ୍ପଟି କାର୍ଯ୍ୟକାରୀ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଡ଼ିଜିଟାଲ ଆର୍ଥିକ କାରବାରରେ ହଜାର ଜଣଙ୍କଠାରୁ ସୋସିଆଲ ମିଡ଼ିଆ ମଞ୍ଚରେ ଅର୍ଥ ସଂଗ୍ରହ ମାତ୍ର କେଇ ସପ୍ତାହ ମଧ୍ୟରେ ସମ୍ଭବ । ଅବଶ୍ୟ ରଚ଼ନାଟିଏ ପାଠ କରିବା ନିମନ୍ତେ ଆଗ୍ରହୀ ବ୍ୟକ୍ତିବିଶେଷ ୫୦୦ ଟଙ୍କା ଦାନ କରିବା ନିମନ୍ତେ ମାନସିକତା ଏକ ଭିନ୍ନ ପ୍ରସଙ୍ଗ। ତେବେ ଏତାଦୃଶ ଲେଖା ପାଇଁ ଦାନର ପରିବେଶ ଯୁକ୍ତରାଷ୍ଟ୍ର ଆମେରିକାର ନନ-ପ୍ରିଫିଟ ନିଉଜ ଆଙ୍ଗୀକରେ ସୃଷ୍ଟି ହୋଇଛି। ଭବିଷ୍ୟତରେ ଅଧିକ ଶକ୍ତିଶାଳୀ ହେବା ଆଶା କରାଯାଉଛି ।


 

ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୮ ମଧ୍ୟଭାଗ ସୁଦ୍ଧା ପ୍ରାୟ ୨୦୦ ଗୋଟି ନନ-ପ୍ରଫିଟ ନିଉଜ ପ୍ରକଳ୍ପ କାର୍ଯ୍ୟରତ ଥିବା ଗଣତି କରାଯାଇଥିଲା । ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଅନଲାଇନ ମାଧ୍ୟମରେ ସମ୍ୱାଦ ପରିବେଷଣ କରୁଥିବା ତଥା ବିଗତ ଦଶନ୍ଧିରେ ଗଢ଼ି ଉଠିଥିବା ଜଣାଯାଏ । ପ୍ରାୟ ୯୦ ପ୍ରତିଶତ ପ୍ରକଳ୍ପ ଗଠନ ଓ ପରିଚ଼ାଳନାରେ ବଦାନ୍ୟ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଆର୍ଥିକ ନିବେଶ କରିଥାନ୍ତି । ଜାତୀୟସ୍ତରରେ ଶୀର୍ଷ ଅନୁଷ୍ଠାନ ‘ଇନଷ୍ଟିଟିଉଟ ଅଫ ନନ-ପ୍ରଫିଟ ନିଉଜ’ରେ ୧୮୦ ଗୋଟି ପ୍ରକଳ୍ପ ସଦସ୍ୟଭୁକ୍ତ ।


 

ଏହି ସଂଗଠନ ପକ୍ଷରୁ ୮୮ ଗୋଟି ପ୍ରକଳ୍ପର କାର୍ଯ୍ୟଧାରା ପରଖିବା ନିମନ୍ତେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ସେଥିରୁ ହିସାବ କରାଗଲା ଯେ ନନ-ପ୍ରଫିଟ ନିଉଜ ପ୍ରକଳ୍ପଗୁଡ଼ିକର ବାର୍ଷିକ ବଜେଟର ଦୁଇ ତୃତୀୟାଂଶ ଅର୍ଥ ସମ୍ୱାଦ ସଂଗ୍ରହ ଓ ସମ୍ପାଦନାରେ ବିନିଯୋଗ ହୋଇଥାଏ । ଅନ-ଲାଇନ ପରିବେଶରେ ମୁଦ୍ରଣ ମାଧ୍ୟମ ଭଳି କାଗଜ, କାଳି, ଯନ୍ତ୍ରପାତି ରକ୍ଷଣାବେକ୍ଷଣ, ପରିବହନ ଓ ଅଣ-ସାମ୍ୱାଦିକ କର୍ମଚ଼ାରୀ ନିଯୁକ୍ତି ଖର୍ଚ୍ଚ ଭାର ନଥିବା ହେତୁ ମୌଳିକ ସାମ୍ୱାଦିକତା ନିମନ୍ତେ ଅଧିକ ଅର୍ଥଲଗାଣ ସମ୍ଭବପର ହୋଇପାରିଥାଏ । ଗୁଣାତ୍ମକ ସାମ୍ୱାଦିକତା ବିକାଶରେ ଏଭଳି ଅର୍ଥନୀତିକ ମଡ଼େଲ ସହାୟକ ହୁଏ ।


 

ସର୍ବେକ୍ଷଣରୁ ଜଣାଯାଇଛି ଯେ ନନ-ପ୍ରଫିଟ ନିଉଜ ପ୍ରକଳ୍ପଗୁଡ଼ିକ ଆଞ୍ଚଳିକ ସମ୍ୱାଦ ପରିବେଷଣକୁ ଗୁରୁତ୍ୱ ଦିଅନ୍ତି । ଅଧିକାଂଶ ଲୋକପ୍ରିୟ ପ୍ରକଳ୍ପ ଏକକ ବିଷୟ ‘ସିଙ୍ଗଲ ସବଜେକ୍ଟ’ ଆଧାରିତ । ପ୍ରକଳ୍ପଗୁଡ଼ିକରେ ବ୍ରେକିଂ-ନିଉଜ ବଦଳରେ ଇନଭେଷ୍ଟିଗେଟିଭ, ଏକ୍ସପ୍ଳାନେଟେରି ତଥା ଏନାଲେସିସ- ଫୋକସଡ଼ ସମ୍ୱାଦ ପରିବେଷଣ ଧାରା ପ୍ରବର୍ତ୍ତନ କରାଯାଇଥାଏ ।ନନ-ପ୍ରଫିଟ ନିଉଜ ପ୍ରକଳ୍ପଗୁଡ଼ିକର ବିକାଶ ନିମନ୍ତେ ଅନ୍ତତଃ ୨୫ ପ୍ରତିଶତ ରାଜସ୍ୱ ଗ୍ରାହକ ସଦସ୍ୟତା ସୂତ୍ରରୁ ଆଦାୟ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଉଥିଲେ ହେଁ, ଅନେକ ସ୍ଥଳରେ ଏକ ପ୍ରତିଶତରେ ସୀମିତ ରହୁଥିବା ଦେଖାଯାଏ । ଏଗୁଡ଼ିକରେ ଗଣମାଧ୍ୟମର ଅନ୍ୟାନ୍ୟ ମଞ୍ଚ ତୁଳନା ଅଧିକ ସଂଖ୍ୟାରେ ମହିଳା କର୍ମଚ଼ାରୀ କାର୍ଯ୍ୟରତ ଥିବା ହିସାବ କରାଯାଇଛି ।


 

ନନ-ପ୍ରଫିଟ ନିଉଜ କ୍ଷେତ୍ରରେ ପ୍ରୋ-ପାବ୍ଳିକା, ଦି ଟେକ୍ସସ ଟ୍ରିବ୍ୟୁନ, ସିଏଏଲ-ମେଟେରସ, ଏଡ଼-ସୋର୍ସ ଓ ଦି ରିଭାର୍ଡ଼ ରିପୋର୍ଟ ଇତ୍ୟାଦି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଦି ରିଭାର୍ଡ ରିପୋର୍ଟ ୨୦୧୨ରେ ଟେକ୍ସାସ ରାଜ୍ୟର ‘ସାନ ଆଣ୍ଟୋନିଓ’ରେ ଏକ ସମ୍ୱାଦଭିତ୍ତିକ ବ୍ଳଗ ରୂପେ ଆତ୍ମପ୍ରକାଶ କରିଥିଲା । ୨୦୧୭ର ହିସାବ ଅନୁଯାୟୀ ଏହି ନନ-ପ୍ରଫିଟ ପ୍ରକଳ୍ପ ନିଜ ବଜେଟର ୧୧ ପ୍ରତିଶତ ବୃହତ ଦାନ, ୩୮ ପ୍ରତିଶତ ଟ୍ରଷ୍ଟଫଣ୍ଡ ଦାନ, ୧୭ ପ୍ରତିଶତ ବିଜ୍ଞାପନ ତଥା ୧୬ ପ୍ରତିଶତ ଗ୍ରାହକ ସଦସ୍ୟତା ଚ଼ାନ୍ଦା ସୂତ୍ରରୁ ସଂଗ୍ରହ କରିଥିଲା ।


 

ଓଡ଼ିଶାର ଗଣମାଧ୍ୟମ ପରିବେଶରେ ନନ-ପ୍ରଫିଟ ନିଉଜର ଭିନ୍ନ ସଂସ୍କରଣ ସହ ଆମେ ପରିଚ଼ିତ । ଓଡ଼ିଆ ଭାଷାରେ ପ୍ରକାଶିତ ପାଞ୍ଚ ଡ଼ଜନରୁ ଉର୍ଦ୍ଧ୍ୱ ଦୈନିକ ସମ୍ୱାଦପତ୍ର ମଧ୍ୟରୁ ଅଧ ଡ଼ଜନକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକ ବିଜ୍ଞାପନ ଓ ଗ୍ରାହକ ଚ଼ାନ୍ଦା ଆୟର ପରିଧିରୁ ବହୁ ଦୂରରେ ରହୁଥିବା ହେତୁ ମୁଖ୍ୟତଃ ବଦାନ୍ୟତାରେ ନିର୍ଭରଶୀଳ । ତେବେ ପ୍ରଭେଦ ଏତିକି ଯେ ନନ-ପ୍ରଫିଟ ନିଉଜ ସ୍ୱାଧୀନ, ପକ୍ଷପାତିତା-ବିରୋଧୀ ତଥା ଜନ-କଲ୍ୟାଣକୁ ମୌଳିକ ଲକ୍ଷ୍ୟ ଭାବେ ଗ୍ରହଣ କରୁଥିବା ସ୍ଥଳେ ଆମ ରାଜ୍ୟରେ ମାତ୍ରାଧିକ କ୍ଷେତ୍ରରେ ସମ୍ୱାଦିକତାରେ ଅର୍ଥ ନିବେଶ ରାଜନୀତିକ, ବ୍ୟକ୍ତିକେନ୍ଦ୍ରୀକ ଓ ସ୍ୱାର୍ଥସାଧନଭିତ୍ତିକ ମଡ଼େଲରେ ପର୍ଯ୍ୟବସିତ।

 

ସାମ୍ୱାଦିକତାରେ ସ୍ୱାଧୀନତା ଓ ଅନୁଗତ୍ୟ ତଥା ମୌଳିକ ସାମ୍ୱାଦିକତା ଓ ଅଣ-ସାମ୍ୱାଦିକ କାର୍ଯ୍ୟକଳାପରେ ବ୍ୟୟ ଭିନ୍ନ ଭିନ୍ନ ପରିବେଶ ସୃଷ୍ଟି କରିଥାଏ । ଏସବୁ ସତ୍ତ୍ୱେ ଭବିଷ୍ୟତରେ ଯେ ଓଡ଼ିଆ ସାମ୍ୱାଦିକତା ଗୁଣବତ୍ତା ବିକାଶ ଦିଗରେ ପ୍ରୟାସ କରିବ ସେଥିରେ ସନ୍ଦେହ ନାହିଁ ଏବଂ ଏ ଦିଗରେ ମୌଳିକ ନନ-ପ୍ରଫିଟ ନିଉଜକୁ ସର୍ବାପେକ୍ଷା ଗ୍ରହଣଯୋଗ୍ୟ ମଡ଼େଲ ରୂପେ ବିଚ଼ାର କରାଯାଇପାରେ ।      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୧୮


ତଥ୍ୟ:

http://www.niemanlab.org/2018/10/this-is-the-state-of-nonprofit-news-in-2018/ 

ସମ୍ୱାଦ ମଞ୍ଚ ସଦସ୍ୟ

ସ୍ୱାଧୀନ ଓ ସ୍ୱାବଲମ୍ୱୀ ଡ଼ିଜିଟାଲ ସମ୍ୱାଦ ମଞ୍ଚ ବିକାଶକଳ୍ପେ ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରରେ ବିବିଧ କିସମର ପାଠକକେନ୍ଦ୍ରୀକ ଆୟ ଯୋଜନା ପରୀକ୍ଷାମୂଳକଭାବେ ଆୟୋଜନ କରାଯାଉଛି । ଏହି ଭଳି ମଡ଼େଲଗୁଡ଼ିକର ଅନୁଶୀଳନ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୂୟର୍କ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୧୭ ରୁ ୨୦୨୧ ଚାରିବର୍ଷ ଧରି ‘ମେମ୍ୱରସିପ ପଜଲ’ ନାମକ ଏକ ଗବେଷଣା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା । ସାମାଜିକସ୍ତରରେ ସମ୍ୱାଦ ମଞ୍ଚଗୁଡ଼ିକପ୍ରତି ବିଶ୍ୱସନୀୟତା ହ୍ରାସ ହେତୁ ପ୍ରସାରଣ ବାଧାପ୍ରାପ୍ତ ତଥା ପାରମ୍ପରିକ ବିଜ୍ଞାପନ ଆୟ ହ୍ରାସରେ ବ୍ୟାବସାୟିକ ବ୍ୟୟ ଭରଣା ନିମନ୍ତେ ବିଭିନ୍ନ ସମ୍ୱାଦ ସଂସ୍ଥା ଦ୍ୱାରା ପ୍ରବର୍ତ୍ତିତ ବିକଳ୍ପ ଉଦ୍ୟମଗୁଡ଼ିକୁ ଚ଼ିହ୍ନଟ କରିବା ପ୍ରୟାସ ସମ୍ୱାଦ ଶିଳ୍ପର ଭବିଷ୍ୟତଲାଗି ନୂତନ ସଂଭାବନାର ସୂଚ଼ନା ଦେଇଥାଏ ।


 

ମୁଦ୍ରଣ କାରିଗରୀ କୌଶଳ ଉଦ୍ଭାବନ ପରେ ସମ୍ୱାଦପତ୍ର ପ୍ରକାଶନ ମାଧ୍ୟମରେ ଆଧୁନିକ ସାମ୍ୱାଦିକତାର ଅୟମାରମ୍ଭ ଘଟିଥିଲା । ପ୍ରାଥମିକ ପର୍ଯ୍ୟାୟରେ ମୁଦ୍ରିତ ସମ୍ୱାଦପତ୍ର ପ୍ରଯୋଜନା ବ୍ୟୟ ବିକ୍ରୀଲବ୍ଧ ଆୟ ଉପରେ ନିର୍ଭର କରୁଥିଲା । କିନ୍ତୁ ଅଷ୍ଟାଦଶ ଶତାଦ୍ଦୀ ଆରମ୍ଭରୁ କ୍ରମଶଃ ମୁଦ୍ରିତ ସମ୍ୱାଦପତ୍ର ବ୍ୟୟର ସିଂହଭାଗ ବିଜ୍ଞାପନ ଆୟରେ ମେଣ୍ଟାଇ ଗ୍ରାହକ ଚାନ୍ଦାକୁ ଗୌଣ କରିବା ଧାରା ସମ୍ୱାଦ ଶିଳ୍ପକୁ ପ୍ରଭାବିତ କରିଥିଲା । ଉପଭୋକ୍ତା କମ ମୂଲ୍ୟ ବିନିମୟରେ ଅଧିକ ମୂଲ୍ୟଯୁକ୍ତ ଉତ୍ପାଦ କ୍ରୟର ସୁଯୋଗ ପାଇ ଅଧିକରୁ ଅଧିକ ସଂଖ୍ୟକ ସମ୍ୱାଦପତ୍ର ଗ୍ରାହକଶ୍ରେଣୀଭୁକ୍ତ ହେବାକୁ ଲାଗିଲେ ।


 

ମୁଦ୍ରିତ ସମ୍ୱାଦପତ୍ରର ବିଜ୍ଞାପନଆଶ୍ରିତ ମଡ଼େଲ ପ୍ରାୟ ୧୮୦ ବର୍ଷ ଧରି ବଳବତ୍ତର ରହିବାପରେ ଇ-କମର୍ସ ଓ ସୋସିଆଲ ମିଡ଼ିଆର ପ୍ରସାରକାଳରେ କ୍ରମଶଃ ବିଜ୍ଞାପନ ପ୍ରଦର୍ଶନ ସମ୍ୱାଦ ମଞ୍ଚରୁ ଅପସରି ଗଲା । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଏହି ଅପସାରଣ କେବଳ ପାରମ୍ପରିକ ଗଣମାଧ୍ୟମ ମଞ୍ଚ ମୁଦ୍ରିତ ସମ୍ୱାଦପତ୍ର, ରେଡ଼ିଓ ଓ ଟେଲିଭିଜନ ମଧ୍ୟରେ ସୀମିତ ନରହି ନବ-ବିକଶିତ ଡିଜିଟାଲ ସମ୍ୱାଦ ମଞ୍ଚ ମଧ୍ୟ ସମଭାବେ ପ୍ରଭାବିତ ହେଲା । ଗଣମାଧ୍ୟମ ସମୀକ୍ଷକମାନେ କହିବାକୁ ଆରମ୍ଭ କଲେ ଯେ ସମ୍ୱାଦ ସହ ବ୍ୟାବସାୟିକ ବିଜ୍ଞାପନର କୌଣସି ସଂପର୍କ ନାହିଁ, ଦୁଇ ଶହ ବର୍ଷ ଧରି ଯଦି ବିଜ୍ଞାପନ ପ୍ରଦର୍ଶନ ଆୟରୁ ସମ୍ୱାଦ ଶିଳ୍ପ ପରିପୁଷ୍ଟ ହୋଇଛି ତେବେ ତାହା କେବଳ ଏକ ଅର୍ଥନୀତିକ ଦୁର୍ଘଟଣା ‘ଇକନୋମିକ ଏକ୍ସିଡ଼େଣ୍ଟ’ ମାତ୍ର ।


 

ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକର ପାଠକ, ଶ୍ରୋତା, ଦର୍ଶକ ବଢ଼ିଲେ ଅଧିକ ପରିମାଣରେ ବିଜ୍ଞାପନ ପ୍ରଦର୍ଶନ ନିମନ୍ତେ ବିଜ୍ଞାପକମାନେ ଆଗ୍ରହ ପ୍ରକାଶ କରୁଥିବା ଏବଂ ତଦ୍ୱାରା ବିଜ୍ଞାପନ ଆୟ ବୃଦ୍ଧି ପାଉଥିବା କାରଣରୁ ବୃହତ ସମ୍ୱାଦ ମଞ୍ଚ ପରିଚାଳନା ନିମନ୍ତେ ବଡ଼ ଧରଣର ନିବେଶ ଆବଶ୍ୟକ ପଡ଼ିଲା । ଏହାକୁ ଆମେ ସ୍ୱାଭାବିକ ‘ନେଚୁରାଲ’ ବୋଲି ଧରି ନେଲୁ । ଫଳରେ ଶିଳ୍ପପତି ଓ ରାଜନୀତିକ ନେତୃବର୍ଗ ସମ୍ୱାଦ ପ୍ରକାଶନ ଶିଳ୍ପରେ ପୁଞ୍ଜିନିବେଶ କରି ସେମାନଙ୍କ ସ୍ୱାର୍ଥ ହାସଲ ନିମନ୍ତେ ତତ୍ପର ହୋଇପଡ଼ିଲେ । ସମ୍ୱାଦ ମଞ୍ଚରୁ ସମ୍ୱାଦ, ସାମ୍ୱାଦିକତା ଓ ଜନସ୍ୱାର୍ଥର ଗୁରୁତ୍ୱ ଉଭେଇ ଗଲା । ସମ୍ୱାଦ ଶିଳ୍ପ ନିବେଶକମାନେ ହିଁ ନବ ବିକଶିତ ନିଉଜ ୱେବସାଇଟ ପ୍ରକାଶନରେ ଆଗୁଆ ରହିଲେ । ଡିଜିଟାଲ ସମ୍ୱାଦ ମଞ୍ଚ ମଧ୍ୟ ବିଜ୍ଞାପନଆଶ୍ରିତ ମଡ଼େଲରେ ପରିପୁଷ୍ଟ ହେଲା ।


 

ବିଂଶ ଶତାଦ୍ଦୀର ଶେଷ ଦଶକରୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଇ-କମର୍ସ ଧାରା ଅନୁସୃତ ହେବା ଏବଂ ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସହରାଞ୍ଚଳରେ ଲୋକପ୍ରିୟତା ହାସଲ କରିବା ତଥା ଦ୍ୱିତୀୟ ଦଶକରେ ଗ୍ରାମାଞ୍ଚଳକୁ ପ୍ରସାରିତ ହେବା ଅବସରରେ ବ୍ୟାବସାୟିକ ବିଜ୍ଞାପନ ପ୍ରଦର୍ଶନର ଧାରା ବଦଳିଗଲା । ଉପଭୋକ୍ତାକେନ୍ଦ୍ରୀକ ତଥ୍ୟ ସଂଗ୍ରହ, ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗ ଓ ବ୍ୟକ୍ତିକେନ୍ଦ୍ରୀକ ମଲଟିମିଡ଼ିଆ ପ୍ରଦର୍ଶନ ଭଳି ସୁଯୋଗ ସୁବିଧା ବିଜ୍ଞାପନର ଗୁଣବତ୍ତା ବୃଦ୍ଧି କରୁଥିବା ହେତୁ ବିଜ୍ଞାପନ ପ୍ରଦର୍ଶନ ପାଇଁ ସମ୍ୱାଦ ମଞ୍ଚ ଗୁରୁତ୍ୱ ହରାଇ ବସିଲା । ଅବଶ୍ୟ ପରୋକ୍ଷରେ ଏହି ବିଘଟନ ସାମ୍ୱାଦିକତାରେ ଉତ୍କର୍ଷ ବିକାଶ ଦିଗରେ ସହାୟକ ହୋଇଛି ବୋଲି କହିବାକୁ ହେବ ।


 

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନିଉ-ନରମାଲ’ରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ସମ୍ୱାଦ ପ୍ରସାରଣ ପ୍ରକ୍ରିୟା ଡିଜିଟାଲ ମଞ୍ଚରେ ପ୍ରାୟତଃ ପହଞ୍ଚି ସାରିଥିବା ତଥା ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସେହି ଧାରା ଅନୁସରଣ କରୁଥିବା ଅବସରରେ ବିଜ୍ଞାପନ ଆୟ ଅନୁପସ୍ଥିତିରେ ସମ୍ୱାଦ ମଞ୍ଚ ଗ୍ରାହକଚାନ୍ଦାରେ ପରିପୁଷ୍ଟ ହେବା ଯୁଗ ଆସିସାରିଛି ବୋଲି କହିବାକୁ ହେବ । ତେବେ ତତକ୍ଷଣାତ ଗ୍ରାହକ ଚାନ୍ଦା ଦେୟ ମଞ୍ଚ ପରିଚାଳନା ନିମନ୍ତେ ପର୍ଯ୍ୟାପ୍ତ ହୋଇପାରୁନଥିବା ହେତୁ ବଦାନ୍ୟତାକେନ୍ଦ୍ରୀକ ଆୟ ସଂଗ୍ରହ ପ୍ରତି ଧ୍ୟାନ ଦିଆଯାଉଛି ।


 

ଏହି ଅବସରରେ ସମ୍ୱାଦ ମଞ୍ଚ ସଦସ୍ୟ ‘ମେମ୍ୱରସିପ’ ଗ୍ରାହକ ଚାନ୍ଦା ଏବଂ ଦାନ ମଧ୍ୟରେ ଏକ ମଧ୍ୟମ ଧରଣର ମଡ଼େଲ ଲୋକପ୍ରିୟ ହୋଇଛି । ଏହା ବିକଶିତ ଓ ବିକାଶଶୀଳ ଉଭୟ ରାଷ୍ଟ୍ରରେ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଉଛି । ଗ୍ରାହକ ଚାନ୍ଦା ସୀମିତ ସମୟରେ ସମ୍ୱାଦ ଉପଭୋକ୍ତାଙ୍କ ଦେୟ ତଥା ଦାନ ମାଧ୍ୟମରେ ଏକକାଳୀନ ଦେୟ ମଧ୍ୟରେ ସମ୍ୱାଦ ମଞ୍ଚ ସଦସ୍ୟମାନେ ନିୟମିତ ଗ୍ରାହକ ଚାନ୍ଦାରୁ ନିର୍ଦ୍ଦିଷ୍ଟ ପରିମାଣରେ ସାମାନ୍ୟ ଅଧିକ ଅର୍ଥ ସମ୍ୱାଦ ମଞ୍ଚର ଉନ୍ନତି କଳ୍ପେ ପ୍ରଦାନ କରିଥାନ୍ତି ।


 

ଉଦାହରଣରେ ଏକ ମୁଦ୍ରିତ ସମ୍ୱାଦପତ୍ର ଖଣ୍ଡ ପିଛା ମୂଲ୍ୟ ୧୦ ଟଙ୍କା ଏବଂ ମାସିକ ୩୦୦ ଟଙ୍କା ହିସାବ କରାଯାଉଥିବା ସ୍ଥଳେ ସମ୍ୱାଦ ମଞ୍ଚ ସଦସ୍ୟ ଚାନ୍ଦା ମାସିକ ୫୦୦ କିମ୍ୱା ଏକ ହଜାର ଟଙ୍କା ନିର୍ଦ୍ଧାରିତ ହୋଇଥାଏ । ଭାରତରେ ଡ଼ିଜିଟାଲ ସମ୍ୱାଦ ମଞ୍ଚ ଭାବେ ପ୍ରସିଦ୍ଧି ଲାଭ କରିଥିବା ‘ଦି ୱାଇର’ ମାସିକ ଚାନ୍ଦା ୫୦୦, ବାର୍ଷିକ ୧୨୦୦ ଓ ଏକକାଳୀନ ୨୦୦୦ ଟଙ୍କା ସହାୟତା ରାଶି ଆକାରରେ ଗ୍ରହଣ କରିଥାଏ । ତେବେ ବିନା ବ୍ୟୟରେ ସମ୍ୱାଦ ମଞ୍ଚ ପରିଦର୍ଶନ ନିମନ୍ତେ କାହାରିକି ବାରଣ  କରାଯାଏ ନାହିଁ । ସେହିପରି ବାଙ୍ଗାଲୁରୁ ପ୍ରକାଶିତ ବାଣିଜ୍ୟ ସମ୍ୱାଦ ଡ଼ିଜିଟାଲ ମଞ୍ଚ ‘ଦି-କେନ’ ଗ୍ରାହକ ଚାନ୍ଦା ତ୍ରୟାସିକ ୨,୦୬୫ ଓ ବାର୍ଷିକ ୩,୨୪୫ ଟଙ୍କା ନିର୍ଦ୍ଧାରିତ ।


 

ସମ୍ୱାଦ ମଞ୍ଚ ସଦସ୍ୟ ମଡ଼େଲ ସାମ୍ୱାଦିକତାରେ ସୃଷ୍ଟ ବିଶ୍ୱସନୀୟତା ଓ ବ୍ୟାବସାୟିକ ଉଭୟ ସଂକଟ ସମାଧାନରେ ସହାୟକ ହେବା ଆଶା କରାଯାଉଛି । ଅବଶ୍ୟ ମନେ ରଖିବାକୁ ହେବ ଯେ ସମ୍ୱାଦ ମଞ୍ଚର ଆୟବୃଦ୍ଧି ତାଲିକାରେ ମହାମାରୀ-ପର ପରିବର୍ତ୍ତିତ ପରିବେଶରେ ବିକଶିତ ଗ୍ରାହକ ଚାନ୍ଦା, ବିଜ୍ଞାପନ, ବଦନ୍ୟତା ସହ ସଦସ୍ୟ ଚାନ୍ଦା ଅନ୍ୟ ଏକ ଉପାଦାନ ମାତ୍ର । କେବଳ ସଦସ୍ୟତାକୁ ପୁଞ୍ଜିକରି ସମ୍ୱାଦ ମଞ୍ଚ ପରିକଳ୍ପନା ହୁଏତ ବାସ୍ତବକ୍ଷେତ୍ରରେ ସଫଳତା ହାସଲ ସମ୍ଭବ ହୋଇନପାରେ ।


 

ସଦସ୍ୟତା ଧାରାରେ ସମ୍ୱାଦ ମଞ୍ଚ ସହ ଗୁଣଗ୍ରାହୀ ପାଠକମାନଙ୍କ ସଂପର୍କର ସେତୁ ନିର୍ମିତ ହୋଇଥାଏ । ଏହି କ୍ଷେତ୍ରରେ ପାଠକ-କେନ୍ଦ୍ରୀକ ସଂପାଦକୀୟ ନୀତି ପ୍ରବର୍ତ୍ତିତ କରାଯାଏ । ସମ୍ୱାଦ ମଞ୍ଚ ପକ୍ଷରୁ ସମ୍ପାଦନାରେ ସ୍ୱଚ୍ଛତା ଅବଲମ୍ୱନ କରି ସମ୍ୱାଦ ପ୍ରଯୋଜନା ଓ ସମୀକ୍ଷାରେ ପାଠକମାନଙ୍କୁ ସଂଶ୍ଳିଷ୍ଟ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଏ । ଅପରପକ୍ଷରେ ପାଠକମାନେ ସମ୍ୱାଦର ଗୁଣବତ୍ତା ବିକାଶ ନିମନ୍ତେ ପରାମର୍ଶ ଦେବା ସହ ସମ୍ୱାଦ ମଞ୍ଚର ପରିଚାଳନାରେ ସ୍ଥିରତା ସୃଷ୍ଟି ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଓ ଯୋଗାଡ଼ କରିବା ଦିଗରେ ଅଗଭର ହୋଇଥାନ୍ତି ।


 

ସଦସ୍ୟତା ମଡ଼େଲରେ ସମ୍ୱାଦ ମଞ୍ଚ ପକ୍ଷରୁ ପାଠକୀୟ ପ୍ରତିକ୍ରିୟା, ପରାମର୍ଶ ଓ ସମ୍ୱାଦ ସୂତ୍ର ଚ଼ିହ୍ନଟ ‘ପିଚ଼’ ନିମନ୍ତେ ଦୀର୍ଘ କଥୋପକଥନ ‘କନଭରସେସନ’କୁ ଗୁରୁତ୍ୱ ଦିଆଯାଇଥାଏ । ଡ଼ିଜିଟାଲ ମଞ୍ଚରେ ପ୍ରକାଶିତ ସମ୍ୱାଦ ପ୍ରତି ମନ୍ତବ୍ୟ ‘କମେଣ୍ଟ’ ପ୍ରଦାନଠାରୁ ଆରମ୍ଭ କରି ନିୟମିତ ବ୍ୟବଧାନରେ ଅନଲାଇନ ଓ ଅଫଲାଇନ ପାଠକ ସମାବେଶ, ପାଠକ ଓ ସାମ୍ୱାଦିକଙ୍କ ମିଳିତ ଉଦ୍ୟମରେ ସମ୍ୱାଦ ପ୍ରଯୋଜନା ତଥା ଆବଶ୍ୟକ ସ୍ଥଳେ ଅପିଲ, ଜନସଚ଼େତନ ଓ ପ୍ରତିକାରାତ୍ମକ ପଦକ୍ଷେପମାନ ଗ୍ରହଣ କରାଯିବା ସମଚ଼ୀନ । ଅର୍ଥାତ, ସମ୍ୱାଦ ମଞ୍ଚ ପକ୍ଷରୁ ସଦସ୍ୟ ଶ୍ରେଣୀଭୁକ୍ତ ପାଠକମାନଙ୍କୁ କେବଳ ସାମାନ୍ୟ ଆର୍ଥିକ ଅନୁଦାନକାରୀ ସୂତ୍ର ବଦଳରେ ଗୁଣାତ୍ମକ ସାମ୍ୱାଦିକତା ଓ ସଂପୃକ୍ତ ସମ୍ୱାଦ ମଞ୍ଚ ବିକାଶର ପ୍ରୋତ୍ସାହକ ଭାବେ ଗ୍ରହଣ କରାଯାଇଥାଏ ।


 

‘ମେମ୍ୱରସିପ ପଜଲ’ ଗବେଷଣାରୁ ଜଣାଯାଏ ଯେ ବିଭିନ୍ନ ସାମାଜିକ ବିଭ୍ରାଟକାଳରେ ବହୁ ନାଗରିକ ଉଦବେଗ ପ୍ରକାଶ କରିଥାନ୍ତି । ଏହାର ପ୍ରତିକାର ନିମନ୍ତେ ପଦକ୍ଷେପଗୁଡ଼ିକରେ ସେମାନେ ସ୍ୱତଃପ୍ରବୃତ୍ତଭାବେ ଅଂଶ ଗ୍ରହଣ କରିବାକୁ ଚାହିଥିଲେ ମଧ୍ୟ ବିଭିନ୍ନ କାରଣରୁ ତାହା ସଂଭବ ହୋଇପାରି ନଥାଏ । ଅନ୍ତତଃପକ୍ଷେ ପ୍ରତିବାଦର ସ୍ୱର ଉତ୍ତୋଳନ କିମ୍ୱା ସମାଧାନର ସୂତ୍ର ପ୍ରସ୍ତାବନାରେ ସମ୍ୱାଦ ମଞ୍ଚ ସରଳ, ସହଜ ଓ ଫଳପ୍ରଦ ବିବେଚ଼ିତ ହେଉଥିବା ହେତୁ ସୀମିତ ସଂଖ୍ୟକ ସଚ଼େତନ ନାଗରିକ ସାମାନ୍ୟ ସମୟ, ଶ୍ରମ ଓ ଅର୍ଥ ଦାନ କରିବା ନିମନ୍ତେ କୁଣ୍ଠିତ ହୋଇନଥାନ୍ତି ।

 

ଏହି ଗୋଷ୍ଠୀକୁ ସମ୍ୱାଦମଞ୍ଚଗୁଡ଼ିକ ନିଜସ୍ୱ ପରିଧିକୁ ନିମନ୍ତ୍ରଣ ନିମନ୍ତେ ସଦସ୍ୟତା ମଡ଼େଲ ଉପଯୁକ୍ତ ମନେକରାଯାଏ । କହିବା ବାହୁଲ୍ୟ ଯେ ସମ୍ୱାଦ ମଞ୍ଚଗୁଡ଼ିକ ସ୍ୱାବଲମ୍ୱୀ ପଥରେ କିଛି ପାଦ ଆଗକୁ ବଢ଼ିଲେ ସେହି ମାତ୍ରାରେ ସ୍ୱାଧୀନ, ନିରପେକ୍ଷ ଓ ଗୁଣାତ୍ମକ ସାମ୍ୱାଦିକତା ବିକାଶରେ ସଂପୃକ୍ତ ହେବା ନିମନ୍ତେ ଅବକାଶ ସୃଷ୍ଟି ହୋଇପାରେ ।       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅଗଷ୍ଟ ୨୦୨୧


ତଥ୍ୟ:

 

The Membership Puzzle Project

https://membershippuzzle.org/articles-overview/who-media-can-learn 

ଡ଼ିଜିଟାଲ ମିଡ଼ିଆରେ ନିବେଶ

ଆନ୍ତର୍ଜାତିକସ୍ତରରେ ସମତାଳ ଦେଇ ଭାରତରେ ମଧ୍ୟ ଡ଼ିଜିଟାଲ ମିଡ଼ିଆର ବ୍ୟାପ୍ତି କ୍ରମଶଃ ପ୍ରଖର ହେଉଥିବା ଲକ୍ଷ୍ୟ କରାଯାଏ । ବିଜ୍ଞାପନ ବିତରଣ ତଥ୍ୟାବଳୀରୁ ଜଣାଯାଏ ଯେ ୨୦୧୪ ସୁଦ୍ଧା ଦେଶରେ ଡ଼ିଜିଟାଲ ମିଡ଼ିଆ ମୋଟ ଗଣମାଧ୍ୟମ ବିଜ୍ଞାପନ ବ୍ୟୟର ମାତ୍ର ପାଞ୍ଚ ପ୍ରତିଶତ ହିସାବ କରାଯାଇଥିବାସ୍ଥଳେ ପାଞ୍ଚ ବର୍ଷ ମଧ୍ୟରେ ୨୦୧୯ ଆରମ୍ଭ ବେଳକୁ ପନ୍ଦର ପ୍ରତିଶତରେ ପହଞ୍ଚିଛି ।


 

ବିକଶିତ ରାଷ୍ଟ୍ରଗୁଡ଼ିକର ସ୍ଥିତି ଅନୁଧ୍ୟାନ କଲେ ସଂଯୁକ୍ତ ରାଷ୍ଟ୍ରପୁଞ୍ଜ‘ୟୁନାଇଟେଡ଼ କିଙ୍ଗଡ଼ମ’ରେ ୨୦୦୭ ବେଳକୁ ସାମଗ୍ରୀକ ବିଜ୍ଞାପନ ବ୍ୟୟରୁ ଡ଼ିଜିଟାଲ ମିଡ଼ିଆ ଦଶ ପ୍ରତିଶତ ଦାବୀ କରୁଥିବା ସ୍ଥଳେ ବାର ବର୍ଷ ମଧ୍ୟରେ ୨୦୧୯ ଆରମ୍ଭ ବେଳକୁ ପଚ଼ାଶ ପ୍ରତିଶତରେ ପହଞ୍ଚିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୮ରେ ଅନ-ଲାଇନ ବ୍ୟବସାୟଜନିତ ବ୍ୟୟ ପାରମ୍ପରିକ ଦୋକାନବଜାର ବ୍ୟବସାୟଠାରୁ ବଢ଼ିଥିବା ଜଣାଯାଇଛି । ଏତାଦୃଶ ପରିବେଶ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ବ୍ୟାବସାୟିକଧାରାକୁ ପ୍ରଭାବିତ କଲେ ଗଣମାଧ୍ୟମ ସ୍ଥିତାବସ୍ଥା ସ୍ୱତଃପ୍ରବୃତ୍ତଭାବେ ପରିବର୍ତ୍ତିତ ହେବା ଆଶା କରିବା ଅମୂଳକ ନୁହେଁ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୨୦୨୪ ବେଳକୁ ଡ଼ିଜିଟାଲ ମିଡ଼ିଆରେ ମୋଟ ବିଜ୍ଞାପନ ବ୍ୟୟର ୩୦ ରୁ ୩୫ ପ୍ରତିଶତରେ ପହଞ୍ଚିବା ଅନୁମାନ କରାଯାଏ ।


 

ଡ଼ିଜିଟାଲ ମିଡ଼ିଆ କ୍ଷେତ୍ରରେ ବୈଷୟିକ କୌଶଳଜନିତ ନୂତନ ଉଦ୍ଭାବନମାନ ଅନ-ଲାଇନ ସଂପୃକ୍ତିକୁ ଆକର୍ଷଣୀୟ ଢ଼ଙ୍ଗରେ ଗଢ଼ିତୋଳିବା ଅବ୍ୟାହତ ରହିଛି । ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ, ଭର୍ଚୁଆଲ ରିଆଲିଟି ଭଳି ବିଭବମାନ ଅନ-ଲାଇନ ବିଜ୍ଞାପନରେ ଯୋଡ଼ି ହେବାପରେ ଘରବାଡ଼ି, ପର୍ଯ୍ୟଟନ ଓ ମଟରଯାନ ଭଳି ବ୍ୟବସାୟ ସଂପର୍କୀତ ବିଜ୍ଞାପନ ଡ଼ିଜିଟାଲ ମିଡ଼ିଆରେ ଦର୍ଶକଙ୍କ ନିଆରା ଅନୁଭୂତି ବିଜ୍ଞାପନ ପ୍ରଦର୍ଶନକୁ ପ୍ରଭାବିତ କରିବା ସୁନିଶ୍ଚିତ । ୨୦୨୦ ଶେଷରେ ୫ଜି ସେବା ପ୍ରଚଳନ ପରେ ପରେ ଟେଲକମ କ୍ଷେତ୍ରରେ ବହୁ ପରିବର୍ତ୍ତନ ସୂତ୍ରପାତ ହେବ ଏବଂ ୨୦୨୫ ସୁଦ୍ଧା ଏକ ନୂତନ ଆଙ୍ଗୀକ ସୃଷ୍ଟି ହେବା ଆଶା କରାଯାଇପାରେ ।


 

ଡ଼ିଜିଟାଲ ମିଡ଼ିଆରେ ସମ୍ଭାବ୍ୟ ବିକାଶକୁ ଲକ୍ଷ୍ୟରଖି ଟେଲକମ ସେବା ବ୍ୟବସାୟୀ ରିଲାଏନ୍ସ ଜିଓ ପକ୍ଷରୁ ବିପୁଳ ନିବେଶ କରାଯାଉଥିବା ଚର୍ଚ୍ଚିତ ହେଉଛି । ଏପ୍ରିଲ ୨୦୧୯ରେ ରିଲାଏନ୍ସ ଜିଓ ଡିଜିଟାଲ ସର୍ଭିସେସ ଲିମିଟେଡ଼ ପକ୍ଷରୁ ହାପଟିକ ଇନଫୋଟେକ ପ୍ରାଇଭେଟ ଲିମିଟେଡ଼ ସହ ୭୦୦ କୋଟି ଟଙ୍କା ବିନିମୟରେ ବ୍ୟାବସାୟିକ ବିନିମୟ ବୁଝାମଣା ସ୍ୱାକ୍ଷରିତ ହୋଇଥିବା ପ୍ରକାଶ ପାଇଥିଲା । ‘ହାପଟିକ’ ଦେଶର ପ୍ରମୁଖ ଚ଼ାଟବଟ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ମଞ୍ଚ । ଏହି ଚୁକ୍ତି ଫଳରେ ମୂଳ କମ୍ପାନୀର ଅଂଶଧନରୁ ୮୭ ପ୍ରତିଶତ ଜିଓ କର୍ତ୍ତ୍ୱତ୍ୱକୁ ଆସିଯାଇ ମାତ୍ର ୧୩ ପ୍ରତିଶତ ସଂସ୍ଥାର ପ୍ରତିଷ୍ଠାତା ଓ କର୍ମଚ଼ାରୀଙ୍କ ପାଖରେ ରହିବ । ପ୍ରକାରନ୍ତେ ଜିଓ ସଂପୃକ୍ତ ସଂସ୍ଥା ବ୍ୟବସାୟର ମାଲିକ ପରିଗଣିତ ହେବ ।


 

ରିଲାଏନ୍ସ ଜିଓ ପକ୍ଷରୁ ୨୦୧୪ରୁ ଅଧିଗ୍ରହଣ ଧାରା ବଳବତ୍ତର ରହିଛି । ଏଥି ପୂର୍ବରୁ ୨୦୧୯ ଫେବୃୟାରୀରେ ଜିଓ ପକ୍ଷରୁ ଲଜିଷ୍ଟିକ ସେବା ମଞ୍ଚ ‘ଗ୍ରାବ’, ସଫଟୱେର ପ୍ରସ୍ତୁତକାରୀ ‘ସି-ସ୍କୋୟାର ଇନଫୋ ସଲ୍ୟୁସେନ୍ସ’, ବହୁମୁଖୀ ଭାଷା ପରିଚ଼ାଳନା ମଞ୍ଚ ‘ରେଭେରାଇସ’, ଇ-ପ୍ରଶାସନ ପରାମର୍ଶଦାତା ‘ଇଜି-ଗଭ’ ଓ ‘ସାଂଖ୍ୟ-ସୂତ୍ର ଲେବ୍ସ’ ଅଧିଗ୍ରହଣ ନିମନ୍ତେ ବୁଝାମଣା କରିଥିଲା । ଏହି ଘଟଣାକ୍ରମରୁଜିଓ ପକ୍ଷରୁ ଡିଜିଟାଲ ମିଡ଼ିଆ କ୍ଷେତ୍ରରେ ଟେଲିକମ ସେବା ପ୍ରଦାନ ସାଙ୍ଗକୁ ଅନ୍ୟାନ୍ୟ କ୍ଷେତ୍ରରେ ଉପସ୍ଥିତି ଜାହିର କରିବା ନିମନ୍ତେ ଉଦ୍ୟମ ପ୍ରତିଫଳିତ ହୋଇଥାଏ ।


 

ଅବଶ୍ୟ ଜିଓ ପକ୍ଷରୁ ଡ଼ିଜିଟାଲ ମିଡ଼ିଆରେ ସମ୍ଭାବ୍ୟ ବିକାଶ ସଂପର୍କରେ ବିଧିବଦ୍ଧ ଘୋଷଣା ସରିଛି । ଜିଓ ଅଧ୍ୟକ୍ଷ ମୁକେଶ ଆମ୍ୱାନୀ କମ୍ପାନୀର ୨୦୧୮ ବାର୍ଷିକ ନିବେଶକ ସମାବେଶରେ ଉଦବୋଧନ ଦେଇ କହିଥିଲେ ଯେ ତାଙ୍କରି ସଂସ୍ଥା ପକ୍ଷରୁ କିରାନା ନିତ୍ୟବ୍ୟବହାର୍ଯ୍ୟ ବ୍ୟବସାୟୀଙ୍କୁ ସଂଗଠିତ କରାଇ ଅନଲାଇନ ବ୍ୟବସାୟ ନିମନ୍ତେ ଉଦ୍ୟମ କରାଯିବ । କେତେକ ଅଞ୍ଚଳରେ ଏହି ବ୍ୟାବସାୟିକ  ଧାରା ‘ବିଜିନେସ ମଡ଼େଲ’ ପରୀକ୍ଷାମୂଳକଭାବେ ଆରମ୍ଭ ହୋଇଥିବା ତଥା ୨୦୨୦ ଶେଷସୁଦ୍ଧା ବଜାର ପ୍ରବେଶ କରିବା ସମ୍ଭବପର ବୋଲି ବିଶ୍ୱାସ କରାଯାଉଛି ।


 

ଜିଓର କିରାନା ବ୍ୟବସାୟ ମଞ୍ଚରେ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳର ଛୋଟବଡ଼ ଦୋକାନୀଙ୍କୁ ସଂଗଠିତ କରାଯାଇ ଫ୍ଳିପକାର୍ଟ, ଆମେଜନ ଧାରାରେ ଡ଼ିଜିଟାଲ ମଞ୍ଚରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣାବିକା କରାଯିବ । ଗ୍ରାହକମାନେ ନିଜ ଫୋନ ବ୍ୟବହାର କରି ବରାଦ ଦେବେ ଏବଂ ସେମାନଙ୍କ ହାତପାଆନ୍ତାରେ ସାମଗ୍ରୀମାନ ଯୋଗାଇ ଦିଆଯିବ । ଜିଓର ପ୍ରସ୍ତାବିତ ଇ-କମର୍ସ ମଞ୍ଚରେ ଅଧିକରୁ ଅଧିକ ଭାରତୀୟ ଭାଷା ବ୍ୟବହାର ସୁବିଧା ରଖାଯାଉଥିବା ପ୍ରକାଶ । ଏହା ଫଳରେ ଇଂଲିଶ ପଢ଼ାଲେଖା କରିପାରୁନଥିବା ସଂଖ୍ୟାଧିକ ଲୋକ ଉପକୃତ ହେବେ ଏବଂ ଇ-କମର୍ସରେ ବିସ୍ତୃତ ଜନସଂଖ୍ୟାର ଯୋଗଦାନ ନିମନ୍ତେ ପଥ ଉନ୍ମୁକ୍ତ ହେବ ।


 

ଭାରତରେ ୨୦୧୭ ଓ ୨୦୧୮ ଦୁଇବର୍ଷ ମଧ୍ୟରେ ରିଲିଏନ୍ସ ଜିଓ ପକ୍ଷରୁ ୨୮ କୋଟି ମୋବାଇଲ ଟେଲିଫୋନ ଉପଭୋକ୍ତା ସୃଷ୍ଟି ପରେ ୨୦୧୮ ସୁଦ୍ଧା ଦେଶର ଇଣ୍ଟରନେଟ ସଂଯୁକ୍ତି ୫୦ କୋଟିକୁ ବୃଦ୍ଧି ପାଇଥିଲା । ଜିଓ ଏକ ବିସ୍ତୃତ ଉପଭୋକ୍ତା ମଣ୍ଡଳୀ ପ୍ରସ୍ତୁତ କରିସାରିଥିବା ତଥା ୨୦୨୦ ଯାଏଁ ୪ଜି କାରିଗରୀ କୌଶଳର ପ୍ରସାର ନିମନ୍ତେ ଉଦ୍ୟମ ଅବ୍ୟାହତ ରଖିବା ନିମନ୍ତେ ସ୍ଥିର କରିଥିବା ହେତୁ ନିଜ ପରିଚ଼ାଳିତ ଇ-ବ୍ୟବସାୟ ସଂପର୍କୀତ ବିଜ୍ଞାପନ ପ୍ରଚ଼ାର ପ୍ରସାର ସହଜସାଧ୍ୟ ମନେ ହୁଏ ।


 

ରିଲାଏନ୍ସ ଜିଓ ମୋବାଇଲ ଫୋନରେ ଅସୀମିତ କଥାବର୍ତ୍ତା ଦେୟମୁକ୍ତ ରଖିବା ଧାରାରେ ସଫଳ ହେବାପରେ ଏହି ମଞ୍ଚରେ ସଂପୃକ୍ତ ବିସ୍ତୃତ ଉପଭୋକ୍ତାଙ୍କୁ ନିଜଦ୍ୱାରା ପରିଚ଼ାଳିତ ଅନ୍ୟାନ୍ୟ ବ୍ୟବସାୟରେ ଅଂଶଗ୍ରହଣ କରିବା ନିମନ୍ତେ ସୁଯୋଗ ସୃଷ୍ଟି କରାଯାଉଥିବା ସୁସ୍ୱଷ୍ଟ । ଗଣମାଧ୍ୟମ ସମୀକ୍ଷକଙ୍କ ମତରେ ବିଦେଶରେ ‘ଟି-ମୋବାଇଲ’ ଓ ‘ଟି-ସିଷ୍ଟମ’ ଭଳି ଟେଲକମ ମଞ୍ଚ ଗୁଡ଼ିକରେ ଅନୁରୂପ ବ୍ୟବସ୍ଥା ସଫଳତା ହାସଲ କରିଥିବା ହେତୁ ଭାରତରେ ମଧ୍ୟ କାର୍ଯ୍ୟକାରୀ ସମ୍ଭବପର । ହୁଏତ ଆଗାମୀ ଭବିଷ୍ୟତରେ ଜିଓ ସହ ଅନ୍ୟାନ୍ୟ ଡ଼ିଜିଟାଲ ମିଡ଼ିଆ ବ୍ୟାବସାୟିକ ମଞ୍ଚଗୁଡ଼ିକ ଟେଲିଯୋଗାଯୋଗ ସେବା ସାଙ୍ଗକୁ କୃଷି, ଶିକ୍ଷା, ଶକ୍ତି, ବ୍ୟାଙ୍କିଙ୍ଗ, ସ୍ୱାସ୍ଥ୍ୟ, ଲଜିଷ୍ଟିକ୍ସ, ଶ୍ରମଶକ୍ତି ଓ ପ୍ରଶାସନ ପରିଚ଼ାଳନା କ୍ଷେତ୍ରରେ ନୂତନ କାରିଗରୀ କୌଶଳ ଉପଯୋଗ ନିମନ୍ତେ ଉଦ୍ୟମ କରିବା ସଂଭବପର ।

 

କୁହାଯାଉଛି ଯେ ନିକଟ ଭବିଷ୍ୟତରେ ରିଲାଏନ୍ସ ଜିଓର ନେତୃତ୍ୱ ବଳବତ୍ତର ରହିବ ଏବଂ କ୍ରମଶଃ ଉପଭୋକ୍ତାମାନଙ୍କ ନିମନ୍ତେ ଆନ୍ତର୍ଜାତିକସ୍ତରରେ ପ୍ରତିଷ୍ଠିତ ଫେସବୁକ, ଆମେଜନ, ନେଟଫ୍ଳିକ୍ସ ଓ ଗୁଗୁଲର ଭାରତୀୟ ସଂସ୍କରଣ ପ୍ରସ୍ତୁତ କରିବ । ସଂକ୍ଷେପରେ ଏହି ସମଷ୍ଟିକୁଏଫ-ଏ-ଏନ୍-ଜି ବା ଫେଙ୍ଗ କୁହାଯାଏ । ଚ଼ୀନରେ ଅନୁରୂପ ଉଦ୍ୟମରେ ପ୍ରତିଷ୍ଠିତ ବାଇଜୁଆଲିବାବାର ଅନୁଭବ ମଧ୍ୟ ଭାରତୀୟ ଉପଭୋକ୍ତାଙ୍କୁ ଜିଓ ଯୋଗାଇ ଦେବ । ଡ଼ିଜିଟାଲ ମିଡ଼ିଆରେ ଜିଓର ବ୍ୟାପକ ନିବେଶ ଓ ବ୍ୟବସାୟ ଅଧିଗ୍ରହଣ ଏଭଳି ପୁର୍ବାନୁମାନର ପ୍ରମାଣରୂପେ ଉପସ୍ଥାପିତ ହୋଇଥାଏ ।        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଏପ୍ରିଲ ୨୦୧୯


ତଥ୍ୟ:

 

Reliance Jio in Rs 700 – Cr. Pact with Haptik .The Hindu (Cuttack Edition). April 4, 2019.

 

Majumdar, Romita. Jio draws up strategy to tap digital plans of FANA. Business Standard (Bhubaneswar Edition). April 1, 2019.

 

Digital media game will change completely in five years. (Sangeeta Tanwar’sinterview with Jatin Modi). Business Standard (Bhubaneswar Edition). February 28, 2019. 

ଗଣମାଧ୍ୟମ ମଞ୍ଚ ଏକତ୍ରୀକରଣ 

ଗଣମାଧ୍ୟମ ମଞ୍ଚଗୁଡ଼ିକର ମାଲିକାନା ଏକତ୍ରୀକରଣ ‘କନସୋଲିଡ଼େସନ’ ବିଶ୍ୱବ୍ୟାପୀ କୋଭିଡ଼ ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ବ୍ୟାବସାୟିକ ସ୍ଥିତି ସମ୍ଭାଳିବା ନିମନ୍ତେ ଅପରିହାର୍ଯ୍ୟ ବିବେଚିତ ହେଉଥିବା ସ୍ଥଳେ ସ୍ୱାଧୀନତା, ସ୍ୱାତନ୍ତ୍ର୍ୟ ଓ ବିବିଧତା କ୍ଷୁର୍ଣ୍ଣ ହେବା ଏକ ଅସମାହିତ ସମସ୍ୟା ସୃଷ୍ଟି କରିବାରେ ଲାଗିଛି । ଗଣତାନ୍ତ୍ରିକ ଶାସନରେ ଜନଜୀବନରେ ଯୋଗାଯୋଗ ସ୍ଥାପନ, ସମ୍ୱାଦ ଓ ଅଭିମତ ପ୍ରସାରଣ ଗଣମାଧ୍ୟମର ଦାୟିତ୍ୱ ପରିସରଭୁକ୍ତ । ସରକାରୀ ଓ ପ୍ରଚାର ସର୍ବସ୍ୱ ମଞ୍ଚଗୁଡ଼ିକର ଭିଡ଼ରେ ଜନସାଧାରଣ ନିରପେକ୍ଷ, ସମୀକ୍ଷାଧର୍ମୀ ଓ ସର୍ଜନଶୀଳ ଗଣମାଧ୍ୟମ ସୂତ୍ର ଖୋଜିଥାନ୍ତି । ଏହି କାରଣରୁ ଗଣମାଧ୍ୟମରେ ବିବିଧତା ଗୁରୁତ୍ୱ ବହନ କରେ ।

 

କିନ୍ତୁ ବିଭିନ୍ନ କାରଣରୁ ମଧ୍ୟମ ଓ ବୃହତ ମଞ୍ଚ ପରିଚାଳନା ବ୍ୟାବସାୟିକ ଦିଗରୁ କ୍ଷତିର ସମ୍ମୁଖୀନ ହେଉଥିବା ସ୍ଥଳେ ଏକାଧିକ ମଞ୍ଚର ଏକତ୍ରୀକରଣ ହିଁ ସର୍ବାପେକ୍ଷା ଗ୍ରହଣୀୟ ପ୍ରତୀୟମାନ ହୋଇଥାଏ । ଅନ୍ୟଥା ଗଣମାଧ୍ୟମ ମଞ୍ଚଗୁଡ଼ିକ ପ୍ରଭାବଶୂନ୍ୟ ହୋଇପଡ଼ନ୍ତି କିମ୍ୱା ପ୍ରକାଶନ ବନ୍ଦ କରିବାକୁ ପଡ଼େ । ଅପରପକ୍ଷେ ଅଧିଗ୍ରହଣ ବ୍ୟାବସାୟିକ ଦୃଷ୍ଟିରୁ ଲାଭଜନକ ମନେହେଲେହେଁ ଗଣମାଧ୍ୟମ ମଞ୍ଚଗୁଡ଼ିକର ଏକତ୍ରୀକରଣରେ ପ୍ରସାରଣ ଉପାଦାନ ଧୃବୀକରଣ ହେତୁ ଗଣତାନ୍ତ୍ରିକ ଦାୟବଦ୍ଧତା ପ୍ରତିହତ ହୋଇଥାଏ ।

 

ବୈଷୟିକ ପ୍ରଗତିରେ କାରଣରୁ ମଧ୍ୟ କେତେକ ଗଣମାଧ୍ୟମ ମଞ୍ଚର ଗୁରୁତ୍ୱ ବୃଦ୍ଧି ପାଇଥାଏ । ଉଦାହରଣରେ ଭାରତରେ ୨୦୨୩ ସୁଦ୍ଧା ଆୟ ଦୃଷ୍ଟିରୁ ପ୍ରଥମ ଦଶ ଗୋଟି ଗଣମାଧ୍ୟମ ମଞ୍ଚ ଗୁଗୁଲ ଇଣ୍ଡିଆ, ମେଟା, ସୋନୀ-ଜୀ, ଡ଼ିସନୀ-ଷ୍ଟାର, ଟାଇମ୍ସ ଗୃପ, ନେଟୱାର୍କ୧୮, ଟାଟା-ପ୍ଳେ, ସନ ନେଟୱାର୍କ, ଏୟାରଟେଲ ଟିଭି ଓ ଦୈନିକ ଭାସ୍କର ଗୃପ ମଧ୍ୟରେ ପ୍ରଥମ ଦୁଇଗୋଟି ସ୍ଥାନ ବୈଷୟିକ ପ୍ରତିଷ୍ଠାନ ଅଧିକାରୀ । ଗୁଗୁଲ ଇଣ୍ଡିଆର ଆୟ ୨୫ ହଜାର କୋଟି ଟଙ୍କା ହିସାବ କରାଯାଉଥିବା ସ୍ଥଳେ ମେଟାର ଆୟ ୧୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ । ଗଣମାଧ୍ୟମ ବିଶ୍ଳେଷକଙ୍କ ମତରେ ଗୁଗୁଲ, ମେଟା, ରିଲାଏନ୍ସ ଓ ସୋନୀ-ଜୀ ଦେଶରେ ଚାରି ବୃହତ ଗଣମାଧ୍ୟମ ମାଲିକାନା ଜାହିର କରିବା ସୁସ୍ପଷ୍ଟ । ଅନ୍ୟ ବୃହତ ଗଣମାଧ୍ୟମ ମଞ୍ଚର ସମ୍ପତ୍ତି ଏହି ଚାରି ସଂସ୍ଥାର ପ୍ରତ୍ୟେକଙ୍କ ସମ୍ପତ୍ତିରୁ ଅର୍ଦ୍ଧେକ ଟପିନଥାଏ ।

 

ଭାରତରେ ଡ଼ିଜିଟାଲ ମଞ୍ଚର ପ୍ରସାର ସତ୍ତ୍ୱେ ୨୦୨୩ ସୁଦ୍ଧା ଟେଲିଭିଜନ ପ୍ରଭୁତ୍ୱ ବଜାୟ ରଖିଥିଲା । ବିଭିନ୍ନ ସୂତ୍ରରୁ ସଂଗୃହୀତ ତଥ୍ୟ ଅନୁଯାୟୀ ଟେଲିଭିଜନ ୮୯ କୋଟି, ଡ଼ିଜିଟାଲ ୫୧ କୋଟି, ମୁଦ୍ରଣ ୪୨ କୋଟି, ଚଳଚ଼ିତ୍ର ୯୯ କୋଟି, ସଂଗୀତ ୪୬ କୋଟି ଓ ରେଡ଼ିଓ ୨୨ କୋଟି ଉପଭୋକ୍ତାଙ୍କଠାରେ ପହଞ୍ଚିଥାଏ । ଟେଲିଭିଜନରୁ ଆୟ ୭୧ ହଜାର କୋଟି ଟଙ୍କା । ଡ଼ିସନୀ-ଷ୍ଟାର, ସନ, ଭାୟାକମ, ସୋନୀ-ଜୀ ଟେଲିଭିଜନ ବ୍ୟବସାୟରେ ନେତୃତ୍ୱ ଦାବୀ କରନ୍ତି । ଡ଼ିସନୀ-ଷ୍ଟାର ଓ ସୋନୀ-ଜୀ ଏକତ୍ରୀକରଣ ହୋଇଥିବା ସ୍ଥଳେ ଭାୟାକମ ଓ ସନ ପକ୍ଷରୁ ଅନ୍ୟ ମଞ୍ଚ ଅଧିଗ୍ରହଣ ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଥିବା ଜଣାଯାଏ ।

 

ଗଣମାଧ୍ୟମ ଅର୍ଥନୀତିରେ ୨୦୧୮ରେ ରୁପର୍ଟ ମୁଦ୍ରୋଚଙ୍କ ‘ଟ୍ୱାଣ୍ଟିଫାଷ୍ଟ ସେଞ୍ଚୁରି-ଫକ୍ସ ଏଣ୍ଟରଟେନମେଣ୍ଟ’ର ସମ୍ପତ୍ତି ‘ଦି ୱାଲଟ ଡିସନୀ କମ୍ପାନୀ’କୁ ବିକ୍ରୀ କରି ଦେଇଥିଲେ । ସେଥିମଧ୍ୟରେ ଭାରତର ‘ଷ୍ଟାରପ୍ଳସ’ ଅନ୍ତର୍ଭୁକ୍ତ ଥିଲା । ‘ଷ୍ଟାରପ୍ଳସ’ ଅଧୀନରେ ପ୍ରାୟ ୭୦ ଗୋଟି ଟେଲିଭିଜନ ଚ୍ୟାନେଲ ପରିଚାଳିତ । ଗଣମାଧ୍ୟମ ସମୀକ୍ଷକଙ୍କ ବିଚାରରେ ହୁଏତ ସେ ବୁଝିପାରିଥିଲେ ଯେ ପରିବର୍ତ୍ତିତ ପରିବେଶରେ ଅଧିକ ଅର୍ଥ ବିନା ଗଣମାଧ୍ୟମ ମଞ୍ଚ ଚଳାଇବା ସଂଭବ ହେବ ନାହିଁ । ସେହି ସମୟରେ ଭାରତରେ ‘ଜୀ ଏଣ୍ଟରଟେନମେଣ୍ଟ’ କରଜ ସମସ୍ୟାର ସାମନା କରିଥିଲା । ଏକତ୍ରୀକରଣ ଅର୍ଥନୀତିରେ ପ୍ରଭାବିତ ହୋଇ ଜୀ ସୋନୀ ସହ ମିଶ୍ରଣ ସଂପର୍କରେ ଡ଼ିସେମ୍ୱର ୨୦୨୧ରେ ଘୋଷଣା କରିଥିଲା । ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟବସାୟରେ ଦୁଇ ପ୍ରମୁଖ ପ୍ରଦର୍ଶକ ‘ପିଭିଆର’ ଓ ‘ଆଇନକ୍ସ’ ୨୦୨୨ରେ ଏକତ୍ରୀକରଣ ହୋଇଥିଲା । ‘ଜିଓ ସିନେମା’, ‘ଡିସନୀ ହଟଷ୍ଟାର’ ଓ ‘ଭୂତ’ ଏକତ୍ର ଏକ ଆପରେ ଉପଲବ୍ଧ ହେବା ତଥା ‘କମସ୍କୋର’ ତଥ୍ୟ ଅନୁଯାୟୀ ୨୦୨୩ ଜୁନ ମାସ ସୁଦ୍ଧା ୨୩ କୋଟି ଦର୍ଶକଙ୍କ ନିକଟରେ ପହଞ୍ଚିପାରିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମ ।

 

ଗଣମାଧ୍ୟମ ମଞ୍ଚ ମାଲିକାନା ଏକତ୍ରୀକରଣ ମୂଳତଃ ଅର୍ଥନୀତିକ ଦିଗକୁ ସୂଚ଼ିତ କରେ । ତେବେ ମାଲିକାନା ସଂପାଦକୀୟ ନୀତି ନିର୍ଦ୍ଧାରଣକୁ ପ୍ରଭାବିତ କରିବା, ବିଭିନ୍ନ ପ୍ରସଙ୍ଗରେ ପକ୍ଷଭୁକ୍ତ ଆଭିମୁଖ୍ୟ ଗ୍ରହଣ କରିବା ତଥା ସାର୍ବଜନୀନ ସ୍ତରରେ ଅଭିବ୍ୟକ୍ତିରେ ସ୍ୱାଧୀନତା ଖର୍ବ କରିବାରେ ପର୍ଯ୍ୟବଶିତ ହୋଇଥାଏ । ଗଣମାଧ୍ୟମ ମାଲିକାନା ଏକତ୍ରୀକରଣ ଦୁଇଭାଗରେ ବିଭକ୍ତ । ପ୍ରଥମତଃ, ଭୂଲମ୍ୱ ବା ଉର୍ଦ୍ଧ୍ୱଧାର ‘ଭର୍ଟିକାଲ ଇଣ୍ଟିଗ୍ରେସନ’ରେ ଗଣମାଧ୍ୟମର ବିଭିନ୍ନ ବିଭାଗ ଏକକ ପରିଚାଳନାଧୀନକୁ ବୁଝାଏ । ଅର୍ଥାତ, ଟେଲିଭିଜନ ଚ୍ୟାନେଲର ମାଲିକ କେବଲ ପ୍ରସାରଣରେ ସଂପୃକ୍ତ ରହିବା ଦେଖାଯାଇଥାଏ । ଦ୍ୱିତୀୟତଃ, ଭୂସମାନ୍ତର ବା ସମସ୍ତର ‘ହରାଇଜେଣ୍ଟାଲ ଇଣ୍ଟିଗ୍ରେସନ’ରେ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ ଓ ଇଣ୍ଟରନେଟ ସମସ୍ତ କିମ୍ୱା ଏକାଧିକ ମାଧ୍ୟମ ଗୋଟିଏ ପ୍ରକାଶନ ସଂସ୍ଥା ଅକ୍ତିଆର କରିଥାଏ । ଓଡ଼ିଶାରେ ତିନିଗୋଟି ମୁଦ୍ରିତ ସମ୍ୱାଦପତ୍ର ଟେଲିଭିଜନ ଚ୍ୟାନେଲର ମାଲିକ ଏବଂ ଡ଼ିଜିଟାଲ ମଞ୍ଚରେ ପ୍ରଭାବ ବିସ୍ତାର ନିମନ୍ତେ ଉଦ୍ୟମରତ ।

 

ପରିବର୍ତ୍ତିତ ପରିବେଶରେ ପ୍ରଦ୍ୟୋଗୀକି ପ୍ରଗତି ପ୍ରବାହରେ ଟେଲିକମ୍ୟୁନିକେସନ ସହ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ ଓ ଅନଲାଇନ ମଞ୍ଚର ସମିଶ୍ରଣ ଘଟିଛି । ବିଭିନ୍ନ ଗଣମାଧ୍ୟମ ମଞ୍ଚ ସ୍ମାର୍ଟଫୋନ ଯୋଗେ ଉପଭୋକ୍ତାମାନେ ପ୍ରଥମେ ଆହରଣ କରୁଥିବା ‘ମୋବାଇଲ ଫାଷ୍ଟ’ ଅଭ୍ୟାସ ଗଣମାଧ୍ୟମ ମଞ୍ଚଗୁଡ଼ିକର ବୈଷୟିକ କାରଣରୁ ଏକତ୍ରୀକରଣ କରାଯାଉଥିବା ଅବସରରେ ପ୍ରସାରଣରେ ଏକଚାଟିଆ ଅଧିକାର ସମସ୍ୟା ସୃଷ୍ଟି କରୁଛି । ବିବିଧତା ଅଭାବ ସ୍ୱାଧୀନତା, ସର୍ଜନଶୀଳତା ଓ ସାମୂହିକ କଲ୍ୟାଣର ପରିପନ୍ଥୀ ।

 

ଗଣମାଧ୍ୟମ ମଞ୍ଚଗୁଡ଼ିକର ମାଲିକାନା ଏକତ୍ରୀକରଣ ବିବିଧତାର ବିରୁଦ୍ଧାଚରଣ କରୁଥିବା ଉପପାଦ୍ୟ ବିବଦମାନ । ସରକାରୀସ୍ତରରେ କେବଳ ଜର୍ମାନୀରେ ଗଠିତ ‘କମିଶନ ଇନ କନସେଣ୍ଟ୍ରେସନ ଇନ ଦି ମିଡ଼ିଆ’ ଗଣମାଧ୍ୟମ ମଞ୍ଚ ଏକତ୍ରୀକରଣର ସମୀକ୍ଷା କରିଥାଏ । ଅପରପକ୍ଷେ ଯୁକ୍ତରାଷ୍ଟ୍ର ଆମେରିକାରେ ‘ଫେଡ଼ରାଲ କମ୍ୟୁନିକେସନ୍ସ କମିଶନ’ ଓ ଆଷ୍ଟ୍ରେଲିଆର ‘ବ୍ରଡ଼କାଷ୍ଟିଂ ଲେଜିସଲେସନ ଏମେଣ୍ଡମେଣ୍ଟ’ ମାଧ୍ୟମରେ ପୂର୍ବରୁ ଗଣମାଧ୍ୟମ ମଞ୍ଚ ଏକତ୍ରୀକରଣକୁ ବିରୋଧ କରିବା ନିମନ୍ତେ ପ୍ରଚଳିତ ପ୍ରାବଧାନଗୁଡ଼ିକୁ ହଟାଇ ଦିଆଯାଇଛି । ଭାରତରେ ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଆମ ସମ୍ୱିଧାନରେ ଅଭିବ୍ୟକ୍ତିରେ ସ୍ୱାଧୀନତା ମୌଳିକ ଅଧିକାର ରୂପେ ଚ଼ିହ୍ନିତ ଥିବା ତଥା ମୁକ୍ତ ଜୀବିକାର୍ଜନ, ବ୍ୟବସାୟ ପରିଚାଳନାକୁ ପ୍ରୋତ୍ସାହିତ କରାଯାଉଥିବା ହେତୁ ଆଇନଗତ ପ୍ରତିବନ୍ଧକର ଆଶଙ୍କା କମ ।

 

ସ୍ଥୂଳ ବିଚାରରେ ଗଣମାଧ୍ୟମ ମଞ୍ଚଗୁଡ଼ିକର ଏକତ୍ରୀକରଣରେ ବୃହତ ବ୍ୟାବସାୟିକ ପ୍ରତିଷ୍ଠାନ ଗଠନ ଅନ୍ୟାନ୍ୟ କ୍ଷୁଦ୍ର ଓ ମଧ୍ୟମ ବର୍ଗର ବ୍ୟବସାୟକୁ ପ୍ରଭାବିତ କରେ । କ୍ଷୁଦ୍ର ଓ ମଧ୍ୟମ ବର୍ଗର ଗଣମାଧ୍ୟମ ମଞ୍ଚ ପ୍ରତିଯୋଗିତାରେ ଉଧେଇ ପାରନ୍ତି ନାହିଁ । ବୃହତ ମଞ୍ଚଗୁଡ଼ିକ ଉପାଦାନ ‘କଣ୍ଟେଣ୍ଟ’ ପ୍ରସ୍ତୁତିରେ ବିପୁଳ ନିବେଶ କରିବା ଫଳରେ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଯାଏ । ବୃହତ ମଞ୍ଚଗୁଡ଼ିକର ଏକଚାଟିଆ ନୀତି ଗଣତାନ୍ତ୍ରିକ ପରିବେଶକୁ ନଷ୍ଟ କରିଦିଏ । ଗଣମାଧ୍ୟମକୁ କେବଳ ଏକ ବ୍ୟବସାୟ ରୂପେ ପରିଗଣିତ କରିବା ନୈତିକତା ବିରୋଧୀ । ବାଣିଜ୍ୟ ଓ ବ୍ୟବସାୟରେ ଲଗାମଛଡ଼ା ପ୍ରତିଯୋଗିତାକୁ ଆକଟ କରାଯାଉଥିବା ସ୍ଥଳେ ସମାଜ କଲ୍ୟାଣର୍ଥେ ଗଣମାଧ୍ୟମ ମଞ୍ଚଗୁଡ଼ିକର ଏକତ୍ରୀକରଣକୁ ବିରୋଧ କରାଯିବା ଉଚ଼ିତ ।

 

ଅର୍ଥନୀତିଜ୍ଞଙ୍କ ବିଚାରରେ ଭାରତରେ ବୃହତ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକର ପ୍ରଭୁତ୍ୱ ବିଗତ ୨୦୦୨ ରୁ ୨୦୨୨ ଦୁଇ ଦଶକ ଧରି ଅବ୍ୟାହତ ରହିଛି । ଅପେକ୍ଷାକୃତ ଛୋଟ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବୃହତ ପ୍ରତିଷ୍ଠାନଗୁଡ଼ିକୁ କିଣି ନେଉଛନ୍ତି (ଖୁଚୁରା ବ୍ୟବସାୟରେ ଫ୍ୟୁଚର ଓ ମେଟ୍ରୋ, ଏୟାରପୋର୍ଟରେ ଜିଭିକେ ବା ବନ୍ଦରରେ କ୍ରିଷ୍ଣାପାଟ୍ଟନମ), ଦୁର୍ଦ୍ଦଶାଗ୍ରସ୍ତ ହେଉଛନ୍ତି (ବିମାନ ଚଳାଚଳରେ କିଙ୍ଗଫିସର, ଜେଟ ଏୟାର ବା ଗୋ-ଫାଷ୍ଟ), ପ୍ରଭାବଶୂନ୍ୟ ପରିସ୍ଥିତିରେ ପହଞ୍ଚିଛନ୍ତି (ସରକାରୀ ଉଦ୍ୟୋଗ ବ୍ୟାଙ୍କ ବା ଟେଲକମରେ ଭି)  କିମ୍ୱା ବ୍ୟବସାୟରୁ ଅବ୍ୟାହତି ନେଉଛନ୍ତି (ଯାନବାହାନ ନିର୍ମାଣରେ ଫୋର୍ଡ ଓ ଜିଏମ) । ଏହି ପରିସ୍ଥିତି ଆଗାମୀ ଦଶକ ୨୦୨୨-୨୦୩୨ରେ ମଧ୍ୟ ଅବ୍ୟାହତ ରହିବା ଆକଳନ କରାଯାଉଛି । ଅର୍ଥାତ, ଗଣମାଧ୍ୟମ ମଞ୍ଚଗୁଡ଼ିକର ଏକତ୍ରୀକରଣ ଧାରା ମଧ୍ୟ ବଳବତ୍ତର ରହିବା ଅନୁମାନ କରାଯାଇପାରେ । ଏହି ପରିବେଶ ଗଣତନ୍ତ୍ରର ସୁରକ୍ଷା ଦିଗରୁ ବିପଦପୂର୍ଣ୍ଣ ।         


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୭ ନଭେମ୍ୱର ୨୦୨୩


ତଥ୍ୟ:

 

Kholi – Khandekar, Vanita. Big Fish, Big Scale. Business Standard (Bhubaneswar Edition). November 10, 2023

 

Ninan, T.N. Dominance and Vibrancy. Business Standard (Bhubaneswar Edition). November 11, 2023

 

Chawdhry, Mohit. Regulating media ownership in India : Challenges and the way ahead. Esya Centre. March 2023 

ସଙ୍କଟରେ ଓଡ଼ିଆ ଯାତ୍ରା ଜଗତ

ଓଡ଼ିଆ ଯାତ୍ରା ଜଗତ ‘ଜଲିଉଡ଼’ ନାମରେ ଖ୍ୟାତ । ରାଜ୍ୟର ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହିନ୍ଦୀ ଚଳଚ଼ିତ୍ର ଶିଳ୍ପ ‘ବଲିଉଡ଼’ ଓ ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ‘ଓଲିଉଡ଼’ ସହ ବିଗତ ଦଶ ପନ୍ଦରବର୍ଷ ଧରି ‘ଜଲିଉଡ଼’ ଗ୍ରାମାଞ୍ଚଳ ମନୋରଞ୍ଜନରେ କଡ଼ା ଟକ୍କର ଦେଇ ଆସିଥିଲା । ଛୋଟବଡ଼ ପ୍ରାୟ ଦେଢ଼ ଶହ ଯାତ୍ରା ପାର୍ଟିରେ ପଚ଼ାଶ ହଜାର କଳାକାର ଓ ଅଣ-କଳାକାର ସଂପୃକ୍ତଥିବା ହିସାବ କରାଯାଇଥାଏ ।


 

୨୦୧୮ ଜାନୁୟାରୀ ମଧ୍ୟଭାଗରେ ଓଡ଼ିଆ ଯାତ୍ରା ଦଳ ମାଲିକ ସଂଘ ପକ୍ଷରୁ ପରବର୍ତ୍ତୀ ଯାତ୍ରା ଋତୁ ଅଗଷ୍ଟ ମାସରୁ ଯାତ୍ରା ପ୍ରଦର୍ଶନ ବନ୍ଦ କରିଦେବା ଘୋଷଣା କରାଯାଇଥିଲା। ଯାତ୍ରା ଶିଳ୍ପରେ ନିବେଶ ତୁଳନାରେ ଆୟ ସମତୁଲ ହୋଇନପାରୁଥିବା କାରଣରୁ ଯାତ୍ରା ଦଳ ସଂଗଠନ ବନ୍ଦ କରିଦେବା ଛଡ଼ା ଅନ୍ୟ ରାସ୍ତା ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ବନ୍ଦ ଘୋଷଣା ପ୍ରତ୍ୟାହର କରିନିଆଯାଇଛି ।


 

ଓଡ଼ିଆ ଯାତ୍ରା ପରମ୍ପରା ପଡ଼ୋଶୀ ପଶ୍ଚିମବଙ୍ଗର ଯାତ୍ରା ଜଗତର ଅନୁସରଣରେ ଗଢ଼ି ଉଠିଥିଲା । ବିଗତ ଶତାଦ୍ଦୀର ଅଷ୍ଟମ ଓ ନବମ ଦଶକ ଯାଏଁ ଓଡ଼ିଆ ଯାତ୍ରା ବଳିଷ୍ଠ କାହାଣୀ, ଉତ୍ତମ ଅଭିନୟ ଓ ସର୍ବୋପରି ଜୀବନ୍ତ ମଞ୍ଚ ବା ‘ଲାଇଭ ସୋ’ ପାଇଁ ଗ୍ରାମାଞ୍ଚଳ ଦର୍ଶକ ମଧ୍ୟରେ ଆଦୃତି ଲାଭ କରିଥିଲା । ଯାତ୍ରା ଉପଭୋଗର ନିଆରା ଅନୁଭୂତି ଏକ ମୁଗ୍ଧ ଦର୍ଶକ ମଣ୍ଡଳୀ ସୃଷ୍ଟିରେ ପର୍ଯ୍ୟବସିତ ହୋଇଥିଲା ।


 

ଓଡ଼ିଶାରେ ଯାତ୍ରା ଲୋକପ୍ରିୟତା ହାସଲ କରିବା ବେଳକୁ ଓଡ଼ିଆ ନାଟକ ଦଳଗୁଡ଼ିକର ବିଲୟ ଘଟି ସାରିଥିଲା । ୧୯୯୯ର ମହାବାତ୍ୟାରେ ଉପକୂଳ ଜିଲ୍ଲାଗୁଡ଼ିକର ସିନେମା ହଲଗୁଡ଼ିକ ଭାଙ୍ଗିରୁଜି ଯାଇଥିଲା । ବିଭିନ୍ନ କାରଣରୁ ମୁଖ୍ୟତଃ ଗ୍ରାମାଞ୍ଚଳରେ ଟେଲିଭିଜନ ପ୍ରସାର ଜନିତ ବ୍ୟବସାୟ ହାନୀରୁ ମାଲିକମାନେ ସିନେମା ହଲଗୁଡ଼ିକର ପୁର୍ନନିର୍ମାଣ ପ୍ରତି ଆଗ୍ରହ ପ୍ରକାଶ କଲେ ନାହିଁ । ଏକ ଆକଳନ ଅନୁଯାୟୀ ରାଜ୍ୟରେ ସ୍ୱାଧୀନୋତ୍ତର ଅବସ୍ଥାରେ ଗଢ଼ି ଉଠିଥିବା ସ୍ଥାୟୀ ଅସ୍ଥାୟୀ ୩୫୦ ସିନେମା ହଲ ସଂଖ୍ୟା ୧୦୦କୁ ଖସି ଆସିଲା । ଟେଣ୍ଟଟାଣି ସୀମିତ ଅବଧି ପାଇଁ ଯାତ୍ରା ପ୍ରଦର୍ଶନ ଏହି ଶୂନ୍ୟତାର ପରିଧିରେ ଲାଭବାନ ହେଲା ।


 

ବିଂଶ ଶତାଦ୍ଦୀ ଆରମ୍ଭରେ ଓଡ଼ିଆ ଯାତ୍ରା ଜଗତରେ କିଛି ‘ଓଲିଉଡ଼’ର ବିତୃଷ୍ଣ ପ୍ରଯୋଜକ ଓ ପ୍ରତିଭା ପ୍ରବେଶ କରିଥିଲେ । ପ୍ରଚଳିତ ଧାରାସହ ମୁକାବିଲା କରିବା ନିମନ୍ତେ ସେମାନଙ୍କ ପ୍ରତ୍ସୋହନରେ ବଡ଼ ମଞ୍ଚ, ଆଧୁନିକ ସାଜସଜ୍ଜା, ଆଲୋକ, ଶଦ୍ଦ ଓ ମନୋରଞ୍ଜନଧର୍ମୀ ନୃତ୍ୟଗୀତ ସଂଯୋଜନାରେ ନୂତନ ପରମ୍ପରା ସୃଷ୍ଟି ହେଲା । ବିପୁଳ ଅର୍ଥ ବିନିମୟରେ କଳାକାରମାନଙ୍କୁ ନିଜଦଳ ପ୍ରତି ଆକୃଷ୍ଟ କରିବା ଫଳରେ ଯାତ୍ରା ପ୍ରଯୋଜନା କ୍ରମଶଃ ବ୍ୟୟ ବହୁଳ ହୋଇପଡ଼ିଲା ଏବଂ ଏହାର ଭରଣା ନିମନ୍ତେ ଯାତ୍ରା ପ୍ରଦର୍ଶନ ଟିକଟ ଦର ବଡ଼ି ଚାଲିଲା ।


 

କୁହାଯାଏ ଯେ ଓଡ଼ିଆ ଯାତ୍ରା ଜଗତର ପ୍ରଥମ ଧାଡ଼ିର ଅଭିନେତାମାନେ ଦଶ ବର୍ଷ ପୂର୍ବେ ବାର୍ଷିକ ୧୦ ରୁ ୧୨ ଲକ୍ଷ ଟଙ୍କାରେ ଚୁକ୍ତିବଦ୍ଧ ହେଉଥିବାବେଳେ ୨୦୧୭ ବେଳକୁ ତାହା ୩୦ ରୁ ୩୫ ଲକ୍ଷକୁ ବୃଦ୍ଧି ପାଇଲା । ଯାତ୍ରା ପ୍ରଦର୍ଶନକୁ ଆକର୍ଷଣୀୟ କରିବା ନିମନ୍ତେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଲା । ଅପରପକ୍ଷେ ପାରମ୍ପରିକ ବିଭବାବଳୀ ମଧ୍ୟରୁ ମୌଳିକ କାହାଣୀ ଓ ଅଭିନୟର ମାନ ହ୍ରାସ ପାଇବାକୁ ବସିଲା । ପ୍ରତିଯୋଗିତାପୂର୍ଣ୍ଣ ପରିବେଶରେ ଯାତ୍ରା ଦଳ ମାଲିକମାନଙ୍କ ନିବେଶ ବନ୍ଦ ହୋଇଯିବା ଫଳରେ ଓଡ଼ିଆ ଯାତ୍ରା ଜଗତ ସଂକଟର ସମ୍ମୁଖୀନ ହୋଇଛି ।


 

ସମୟର ପ୍ରବାହରେ ବିଭିନ୍ନ ଶିଳ୍ପ, ବୃତ୍ତି ଓ ଧାରାରେ ପରିବର୍ତ୍ତନ ଘଟିଥାଏ । ସମାଲୋଚକମାନଙ୍କ ମତରେ ରାଜ୍ୟର ଯାତ୍ରା ଶିଳ୍ପ ଖଣି ମାଫିଆ ଓ ରାଜନୀତିଜ୍ଞମାନଙ୍କ ପୃଷ୍ଠପୋଷକତାରେ ଅପ୍ରାକୃତିକଭାବେ ବୃଦ୍ଧି ପ୍ରାପ୍ତ ହୋଇଥିଲା । ଖଣି ମାଫିଆଙ୍କ ଉପରେ ଅଙ୍କୁଶ ଓ ପରିବର୍ତ୍ତିତ ପରିବେଶରେ ସାମାଜିକ ଗଣମାଧ୍ୟମର ଅଭ୍ୟୁଦୟରେ ରାଜନୀତିଜ୍ଞମାନଙ୍କ ଲୋକସଂପର୍କ ନିମନ୍ତେ ଯାତ୍ରା ଭଳି ମଞ୍ଚର ଆବଶ୍ୟକତା କମିଯାଇଥିବା ହେତୁ ସେମାନଙ୍କ ପୃଷ୍ଠପୋଷକତା ଅଭାବରୁ ଯାତ୍ରା ଶିଳ୍ପ ବାଧାପ୍ରାପ୍ତ ହୋଇଛି ।


 

ରାଜ୍ୟର ଟେଲିଭିଜନର ପ୍ରସାର ପରବର୍ତ୍ତୀ ଅବସ୍ଥାରେ ଯାତ୍ରାର ଲୋକପ୍ରିୟତା ବଢ଼ିଥିବା କାରଣରୁ ଯାତ୍ରାର ଅଧୋଗତି ନିମନ୍ତେ ଟେଲିଭିଜନ କିମ୍ୱା ଭିଡ଼ିଓକୁ ଦାୟୀ କରାଯାଇ ନପାରେ । ତେବେ ଗ୍ରାମାଞ୍ଚଳରେ ଇଣ୍ଟରନେଟର ବ୍ୟାପ୍ତି, ୪ଜି ବୈଷୟିକ କୌଶଳର ବିକାଶ ଓ ସର୍ବୋପରି ମୋବାଇଲ ସ୍ମାର୍ଟଫୋନ ବ୍ୟବହାର ଯୁବବର୍ଗଙ୍କୁ ଯାତ୍ରା ମଞ୍ଚରୁ ଦୂରେଇ ନେଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଗାମୀ ପାଞ୍ଚ ବର୍ଷରେ ଏହି ଧାରା ଅଧିକ ପରିପୃଷ୍ଟ ହେବା ଆଶା କରାଯାଉଥିବା ହେତୁ ଯାତ୍ରା ଦଳ ମାଲିକ ସଂଘ ସମୟୋଚ଼ିତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିବାକୁ ହେବ ।


 

ସମକାଳରେ ଯୁବବର୍ଗଙ୍କ ପାଇଁ ଓଡ଼ିଆ ଯାତ୍ରାର ମୁଖ୍ୟ ଆକର୍ଷଣ ମଞ୍ଚ ନୃତ୍ୟ ଲାଇଭ ଆକସନ ରୂପେ ଚ଼ିହ୍ନଟ କରାଯାଇପାରେ । ତେବେ ମୋବାଇଲ ସ୍ମାର୍ଟଫୋନରେ ଏକାନ୍ତଭାବେ ଭିଡ଼ିଓ ଉପଭୋଗର ଭରଚୁଆଲ ଏକ୍ସିପ୍ରିଏନ୍ସ କ୍ରମଶଃ ସେମାନଙ୍କ ପାଇଁ ଗାଁ କନିଆଙ୍କୁ ଅଲୋଡ଼ା କରିଦେଉଛି । ଓଡ଼ିଆ ଯାତ୍ରା ଯେଉଁ ଗ୍ଳାମରକୁ ନେଇ ବଢ଼ିଥିଲା ତାହା ଆଜି ଛିଡ଼ିବାର କାରଣ ପାଲଟିଛି ।


 

ପ୍ରଶ୍ନ ଉଠେ କେତେକ ବଡ଼ ବଡ଼ ଯାତ୍ରା ଦଳ ବନ୍ଦ ହୋଇଗଲେ ଓଡ଼ିଆ ଯାତ୍ରା ଜଗତ କିଭଳି ପ୍ରଭାବିତ ହେବ । ଏକ ପକ୍ଷରେ ମୌଳିକ ଯାତ୍ରା ବଞ୍ଚିପାରେ । ବଳିଷ୍ଠ କାହାଣୀ, ନିଖୂଣ ଅଭିନୟ ଓ ଛୋଟ ଦଳ ପାଇଁ ସୀମିତ ପ୍ରଯୋଜନା ଖର୍ଚ୍ଚ ଯାତ୍ରାକୁ ପୂର୍ବବତ ସମତୁଲ ବ୍ୟବସାୟିକ ସ୍ଥିତିକୁ ଫେରାଇ ନେଇପାରେ । ଅପର ପକ୍ଷରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ, ସ୍ମାର୍ଟଫୋନ ବ୍ୟବହାର ଓ ଭିଡ଼ିଓ ଉପଭୋଗ ବୃଦ୍ଧି ଅବସରରେ ରାଜ୍ୟର ଅଧିକାଂଶ ଉପଭୋକ୍ତା ଆଞ୍ଚଳିକ ଉପାଦାନ ବା କଣ୍ଟେଣ୍ଟ ଆବଶ୍ୟକ କରିବେ । ଯାତ୍ରା ସହ ସଂପୃକ୍ତ କଳାକାର ଓ ଅଣ-କଳାକାରଙ୍କ ମଧ୍ୟରୁ ଏକାଂଶ ସେଭଳି ମନୋରଞ୍ଜନ ମାଧ୍ୟମ ନିମନ୍ତେ ନିଜକୁ ପ୍ରସ୍ତୁତ କରିପାରନ୍ତି ।

 

ମୋବାଇଲ ଫୋନରେ ସୁଟିଂ, ଏଡ଼ିଟିଂ ଓ ଅପଲୋଡ଼ିଙ୍ଗ ମଙ୍ଗ ଧରୁଥିବାବେଳେ ଓଡ଼ିଶା ଭଳି ବଜାର ନିମନ୍ତେ ଭିଡ଼ିଓ ପ୍ରଯୋଜନା ବ୍ୟବସାୟିକ ଦୃଷ୍ଟିରୁ ଲାଭଜନକ ସାବ୍ୟସ୍ତ ହୋଇପାରେ । ଅତଏବ ନିକଟ ଭବିଷ୍ୟତରେ ଓଡ଼ିଆ ମନୋରଞ୍ଜନ ଶିଳ୍ପରେ ପୁଣି ଥରେ ଏକ ରକମ ଆଲବମ ଯୁଗ ଭଳି ଉପକ୍ରମ ଆଶା କରାଯାଇପାରେ ।         


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଫେବୃୟାରୀ ୨୦୧

ସମ୍ୱାଦମଞ୍ଚରେ ଦୂରାବସ୍ଥାନ କର୍ମ ସଂସ୍କୃତି

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ସଂବାଦ ମଞ୍ଚଗୁଡ଼ିକର କାର୍ଯ୍ୟକ୍ଷେତ୍ର କେତେଦୂର ମହାମାରୀଜନିତ ଦୂରାବସ୍ଥାନ କର୍ମ ସଂସ୍କୃତି ‘ରିମୋଟ ୱାର୍କିଂ’ ଦ୍ୱାରା ପ୍ରଭାବିତ ହେବ ଆନ୍ତର୍ଜାତିକସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥାଏ । ମହାମାରୀ କାଳରେ ଭୂତାଣୁ ସଂକ୍ରମଣ ପ୍ରତିରୋଧ ନିମନ୍ତେ ନିଜ ବାସସ୍ଥଳୀ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟମାନଙ୍କ ସହ ଚଳପ୍ରଚଳକୁ ବାରଣ କରାଯାଇଥିଲା । ଜନପଦ ବନ୍ଦ ‘ଲକଡ଼ାଉନ’ ଓ ‘ସଟ ଡ଼ାଉନ’ ଦୀର୍ଘ ସମୟ ଧରି ବଳବତ୍ତର ରହିଥିଲା । ଫଳରେ ବିଭିନ୍ନ ଶିଳ୍ପରେ ନିୟୋଜିତ ଶ୍ରମଶକ୍ତିକୁ କାର୍ଯ୍ୟାଳୟରେ ସମବେତ ହେବା ବଦଳରେ ଇଣ୍ଟରନେଟ ଯୋଗାଯୋଗ ବ୍ୟବହାରରେ ବାସସ୍ଥଳୀରୁ କାର୍ଯ୍ୟ କରିବା ନିମନ୍ତେ ପ୍ରେତ୍ସାହିତ କରାଯାଇଥିଲା । ଏହି ପ୍ରବାହରେ ସମ୍ୱାଦମଞ୍ଚଗୁଡ଼ିକ ମଧ୍ୟ ସାମିଲ ହୋଇଥିଲେ ।


 

ବିଶ୍ୱବ୍ୟାପୀ ଉତ୍ପାଦନ, ବାଣିଜ୍ୟ, ପ୍ରଶାସନ ଓ ବିଭିନ୍ନ ସେବା ପରିଚାଳନାରେ ଡ଼ିଜିଟାଲ ରୂପାନ୍ତର ଅନ୍ତତଃପକ୍ଷେ ବିଗତ ତିନି ଦଶନ୍ଧି ଧରି ପ୍ରଖର ଗତି ଲକ୍ଷ୍ୟ କରାଯାଏ । ଗଣମାଧ୍ୟମରେ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ ଓ ଚଳଚ଼ିତ୍ର ପ୍ରାୟତଃ ଡିଜିଟାଲ ସ୍ଥିତିରେ ପହଞ୍ଚିସାରିଥିବା ସ୍ଥଳେ ବହୁଳ ପ୍ରସାରିତ ୱେବ ଓ ସୋସିଆଲ ମିଡ଼ିଆ ମୂଳତଃ ଡିଜିଟାଲ । ଡିଜିଟାଲ ପରିବେଶ ରିମୋଟ ୱାର୍କିଂ ପ୍ରଚଳନ ନିମନ୍ତେ ଅନୁକୂଳ । ଏହି କାରଣରୁ ସମାଜର ଅନ୍ୟାନ୍ୟ ଶିଳ୍ପ ତୁଳନାରେ ଗଣମାଧ୍ୟମ ମହାମାରୀ କାଳରେ ସର୍ବତ୍ର ରିମୋଟ ୱାର୍କିଂ ସାଧ୍ୟମତେ ଉପଯୋଗ ହୋଇଥିଲା । ବିକାଶଶୀଳ ରାଷ୍ଟ୍ର ତୁଳନାରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଡିଜିଟାଲ ସ୍ଥିତି ଉନ୍ନତ ଥିବା ହେତୁ ସେଠାରେ ରିମୋଟ ୱାର୍କିଂର ପ୍ରଭାବ ଅପେକ୍ଷାକୃତ ଅଧିକ ।


 

ଏହା ସତ୍ତ୍ୱେ ପ୍ରକାଶିତ ତଥ୍ୟ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ ମାତ୍ର ୩୫ ପ୍ରତିଶତ ଶ୍ରମଶକ୍ତି ମହାମାରୀକାଳରେ ରିମୋଟ ୱାର୍କିଂ ଧାରାରେ ସାମିଲ ଥିବା ଜଣାଯାଏ । ଭୂତାଣୁ ସଂକ୍ରମଣ ପ୍ରକୋପ କମିଆସିବା ପରେ ଅଗଷ୍ଟ ୨୦୨୧ ସୁଦ୍ଧା ଏହି ସଂଖ୍ୟା ୧୩ ପ୍ରତିଶତକୁ ଖସି ଆସିଥିଲା । ମହାମାରୀ ଅବସରରେ ପ୍ରବର୍ତ୍ତିତ ରିମୋଟ ୱାର୍କିଂ କର୍ମ ସଂସ୍କୃତି ମହାମାରୀ-ପର ଅବସ୍ଥାରେ କେଉଁ ରୂପ ଧାରଣ କରିବ ତାହାର ପୂର୍ବାନୁମାନ ନିମନ୍ତେ ବ୍ରିଟେନର ‘ରଏଟର ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ପକ୍ଷରୁ ମହାମାରୀ ପ୍ରସାରର ୧୮ ମାସ ପରେ୨୦୨୧ ସେପ୍ଟେମ୍ୱର ପହିଲାରୁ ୧୯ ତାରିଖ ମଧ୍ୟରେ ଏକ ସର୍ବେକ୍ଷଣ ଆୟୋଜନ ଏକ ଦୃଷ୍ଟି ଆକର୍ଷକ ପଦକ୍ଷେପ । ଏହି ଗବେଷଣାର ନିଷ୍କର୍ଷ ୨୦୨୧ ନଭେମ୍ୱର ମାସରେ ପ୍ରକାଶିତ ହୋଇଥିଲା ।


 

ରଏଟର ଇନଷ୍ଟିଟିଉଟ ସର୍ବେକ୍ଷଣରେ ୪୨ ଗୋଟି ରାଷ୍ଟ୍ରର ୧୩୨ ଜଣ ଗଣମାଧ୍ୟମ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ । ଏଥିମଧ୍ୟରୁ ଅଧିକାଂଶ ୟୁରୋପୀୟ ଦେଶପୁଞ୍ଜ ତଥା ମାର୍କିନ ମଧ୍ୟ ଓ ବୃହତ୍ତ ସମ୍ୱାଦ ମଞ୍ଚର ପ୍ରତିନିଧିତ୍ୱ କରିଥିଲେ ଏବଂ ୬୮ ପ୍ରତିଶତ ପୁରୁଷ ବର୍ଗ । ଏତଦ୍ ବ୍ୟତୀତ ନମୂନା ଚୟନ ନିମନ୍ତେ ନିର୍ଭରଯୋଗ୍ୟ ‘ରେଣ୍ଡମ ସେମ୍ପଲିଂ’ ପଦ୍ଧତି ମଧ୍ୟ ଅନୁସୃତ ହୋଇନଥିଲା । ଅତଏବ ସର୍ବେକ୍ଷଣରେ ସଂଗୃହୀତ ତଥ୍ୟ ସାର୍ବଜନୀନ ବିଚାର କରାଯାଇନପାରେ । ତେବେ ଗଣମାଧ୍ୟମର ଉଚ୍ଚବର୍ଗରେ ଯେଉଁ ପ୍ରବାହ ପ୍ରବାହିତ, ତାହା ଭବିଷ୍ୟତରେ ବିଶ୍ୱବ୍ୟାପୀ ଊଣାଅଧିକ ଅନୁଭୂତ ହେବା ଯୁକ୍ତିଯୁକ୍ତ ।


 

ରଏଟର ଇନଷ୍ଟିଟିଉଟର ପ୍ରକାଶିତ ବିବରଣୀରେ ଦର୍ଶାଯାଇଛି ଯେ ୮୯ ପ୍ରତିଶତ ଗଣମାଧ୍ୟମ କର୍ମକର୍ତ୍ତା ମହାମାରୀ-ପର ପରିବେଶରେ କାର୍ଯ୍ୟକ୍ଷେତ୍ର ଓ ଦୂରାବସ୍ଥାନ ମଧ୍ୟବର୍ତ୍ତୀ ମିଶ୍ରିତ କର୍ମସଂସ୍କୃତି ‘ଫ୍ଳେକ୍ସିବଲ ଏଣ୍ଡ ହାଇବ୍ରିଡ଼ ୱାର୍କିଂ’ ପଦ୍ଧତିକୁ ଅଗ୍ରାଧିକାର ଦେବେ । ଅର୍ଥାତ ମହାମାରୀ-ପୂର୍ବ ଅବସ୍ଥାରେ କାର୍ଯ୍ୟାଳୟଗୁଡ଼ିକରେ ସମସ୍ତ ଗଣମାଧ୍ୟମ କର୍ମଚାରୀ ଏକତ୍ରୀତ ହେଉଥିବା ପଦ୍ଧତି କ୍ରମଶଃ ଲୋପ ପାଇଯିବ । ପ୍ରକାଶକ ଓ ସମ୍ପାଦକମାନେ କାର୍ଯ୍ୟାଳୟରେ ଉପସ୍ଥିତି ବଦଳରେ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାକୁ ମାପକାଠି ରୂପେ ଗ୍ରହଣ କରିବେ ।


 

ଅବିଶ୍ୱନୀୟ ଭାବେ ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ମାତ୍ର ନଅ ପ୍ରତିଶତ ଉଚ୍ଚବର୍ଗ ଗଣମାଧ୍ୟମର କର୍ମକର୍ତ୍ତା ମହାମାରୀ-ପୂର୍ବ କାର୍ଯ୍ୟାଳୟଭିତ୍ତିକ କର୍ମ ସଂସ୍କୃତି ବଜାୟ ରଖିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଏହି ବର୍ଗରେ ରେଡ଼ିଓ ଓ ଟେଲିଭିଜନ ସଂସ୍ଥାଗୁଡ଼ିକର ପ୍ରତିନିଧିତ୍ୱ ଅଧିକ । ପ୍ରାୟ ୩୪ ପ୍ରତିଶତ ହାଇବ୍ରିଡ଼ ମଡ଼େଲ ନିଜ ଗଣମାଧ୍ୟମ ମଞ୍ଚରେ ଉପଯୋଗ କରିସାରିଥିବା ସ୍ଥଳେ ୫୭ ପ୍ରତିଶତ ଏଥି ନିମନ୍ତେ ପ୍ରସ୍ତୁତି ଚଳାଇଥିବା ସୂଚ଼ିତ କରିଥିଲେ ।


 

ଗଣମାଧ୍ୟମ ପରିସରରେ କର୍ମଚାରୀଙ୍କ କର୍ମସ୍ଥଳୀ ପରିବର୍ତ୍ତନର ସୁଯୋଗ ଐତିହାସିକ । କୁହାଯାଏ ଯେ ରିମୋଟ ୱାର୍କିଂ ପ୍ରତିଭାଶାଳୀଙ୍କୁ ଆକୃଷ୍ଟ କରିପାରିବ । ଅପରପକ୍ଷେ କାର୍ଯ୍ୟାଳୟରେ ସାମୂହିକ ଉପସ୍ଥିତି ତୋଷାମଦକାରୀ ଓ ସାମନ୍ତବାଦୀ ଚ଼ିନ୍ତାଧାରାକୁ ଉତ୍ସାହିତ କରୁଥିବା ସ୍ଥଳେ ରିମୋଟ ୱାର୍କିଂ ଗୁଣାତ୍ମକ ସାମ୍ୱାଦିକତାର ବିକାଶ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ସୃଷ୍ଟି କରିପାରିବା ସଂଭବ । ଉଚ୍ଚବର୍ଗର ପ୍ରକାଶନଗୁଡ଼ିକରେ କେତେକ ସାମ୍ୱାଦିକ କାର୍ଯ୍ୟାଳୟ ପ୍ରତ୍ୟାବର୍ତ୍ତନ ନୀତିକୁ ବିରୋଧ କରୁଥିବା ସ୍ଥଳେ ନୂତନ ଭାବେ ନିଯୁକ୍ତ କର୍ମଚାରୀମାନେ ହାଇବ୍ରିଡ଼ ମଡ଼େଲକୁ ଗୁରୁତ୍ୱ ଦେଊଛନ୍ତି ।


 

ରଏଟର ଅଧ୍ୟୟନରୁ ଜଣାପଡ଼ିଛି ଯେ ବିକଶିତ ରାଷ୍ଟ୍ରଗୁଡ଼ିକର ଅଗ୍ରଣୀ ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟରୁ ୭୦ ପ୍ରତିଶତ କାର୍ଯ୍ୟାଳୟ ଓ ଦୂରାବସ୍ଥାନ ଉଭୟ ଉପଯୋଗରେ ମିଶ୍ରିତ କାର୍ଯ୍ୟପରିସର ପ୍ରବର୍ତ୍ତନ ନିମନ୍ତେ ଆଗ୍ରହୀ । ଅନେକ ମତ ପ୍ରକାଶ କରିଛନ୍ତି ଯେ ଅନଲାଇନ ଆଲୋଚ଼ନା ସାଧାରଣ ମୁହାଁମୁହିଁ ଆଲୋଚ଼ନାଠାରୁ ଅଧିକ ଫଳପ୍ରଦ । ଅନଲାଇନ ପରିବେଶ କମ ସମୟ ମଧ୍ୟରେ କେବଳ ଆବଶ୍ୟକୀୟ ବିଷୟ ତର୍ଜମାକୁ ଉତ୍ସାହିତ କରିଥାଏ । ରିମୋଟ ୱାର୍କିଂ ପଦ୍ଧତି ପ୍ରଚଳନ ଫଳରେ ଗଣମାଧ୍ୟମ ମଞ୍ଚଗୁଡ଼ିକ ଦୂରଦୂରାନ୍ତରେ ବସବାସ କରୁଥିବା ପ୍ରତିଭାଙ୍କୁ ଆକର୍ଷଣ କରିପାରିବ ଏବଂ କେବଳ ନିଯୁକ୍ତ ସୃଜନ ଶିଳ୍ପୀଙ୍କ ବ୍ୟତୀତ ବହୁମୁଖୀ ପ୍ରତିଭାଧାରୀଙ୍କ ସେବା ଗ୍ରହଣର ସୁଯୋଗ ସୃଷ୍ଟି ହୋଇପାରିବ । ଏତଦ୍ୱାରା ସୃଜନ ପ୍ରଯୋଜନା ଅର୍ଥନୀତିରେ ମଧ୍ୟ ସୁଧାର ଆସିବା ସମୀଚୀନ ।


 

ବିକଶିତ ରାଷ୍ଟ୍ରଗୁଡ଼ିକରେ ଗଣମାଧ୍ୟମ ପରିଚାଳନାରେ ସମ୍ଭାବ୍ୟ ପ୍ରବାହ ଭାରତରେ କେବଳ ଅତ୍ୟାଧୁନିକ କେତେଗୋଟି ମଞ୍ଚକୁ ବାଦଦେଲେ ଅନ୍ୟତ୍ର ପ୍ରଭାବହୀନ । କାରଣ ସ୍ଥାନୀୟ ସମ୍ୱାଦ କର୍ମୀ ଓ ସମ୍ୱାଦ ପ୍ରଯୋଜନା ଧାରା ସ୍ୱତନ୍ତ୍ର । ଓଡ଼ିଶା ଭଳି ରାଜ୍ୟରେ ତ ଗଣମାଧ୍ୟମରେ ରିମୋଟ ୱାର୍କିଂ ସଂପୂର୍ଣ୍ଣ ଲକଡ଼ାଉନ କାଳରେ ବାଧ୍ୟବାଧକତାରେ ମାତ୍ର କିଛି କାଳ ନିମନ୍ତେ ଲାଗୁ କରାଯାଇଥିଲା । ତେବେ ନ୍ୟୂ-ନରମାଲ ପରିବେଶରୁ ସମ୍ୱାଦିକତାରେ ଗୁଣାତ୍ମକ ବିକାଶ ଓ ବ୍ୟାବସାୟିକ ଅଭିବୃଦ୍ଧି ଲକ୍ଷ୍ୟ ରଖୁଥିବା ସମ୍ୱାଦ ମଞ୍ଚଗୁଡ଼ିକର ଏଥିରୁ ଅନେକ ଶିଖିବାର ରହିଛି । ସମ୍ୱାଦ ମଞ୍ଚ ସଂଖ୍ୟା ବୃଦ୍ଧି ଓ ସୋସିଆଲ ମିଡ଼ିଆର ବ୍ୟାପ୍ତିପରେ ପ୍ରତିଯୋଗିତାର ସମ୍ମୁଖୀନ ହେବା ନିମନ୍ତେ ପ୍ରତିଭା ଅନ୍ୱେଷଣ ପ୍ରତ୍ୟେକଙ୍କ ନିମନ୍ତେ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ଅନଲାଇନ ପରିବେଶ ଓଡ଼ିଶାରେ ମଧ୍ୟ ଉପଲବ୍ଧ ଥିବା ହେତୁ ସ୍ୱାଧୀନ ସମ୍ୱାଦିକ ଓ ମୁକ୍ତ ବୃତ୍ତିଧାରୀଙ୍କ ସେବା ସ୍ୱଳ୍ପ ବ୍ୟୟରେ ସଂଗ୍ରହ କରାଯାଇପାରିଲେ ସାମ୍ୱାଦିକତାର ଗୁଣାତ୍ମକ ଅଭିବୃଦ୍ଧି ସଂଭବ ବୋଲି ବିଚାର କରାଯାଇପାରେ ।          


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୬ ନଭେମ୍ୱର ୨୦୨୧


ତଥ୍ୟ :

 

Scire, Sarah. About a third of news organizations have already adopted a remote or hybrid working model. www.niemanlab.org. November 16, 2021

 

https://www.niemanlab.org/2021/11/about-a-third-of-news-organizations-have-already-adopted-a-remote-or-hybrid-working-model/

 

Cherubini, Federica. Newman, Nic & Prof. Nielsen, Rasmus Kleis. Changing Newsrooms 2021: hybrid working and improving diversity remain twin challenges for publishers. https://reutersinstitute.politics.ox.ac.uk/ November 11, 2021

 

https://reutersinstitute.politics.ox.ac.uk/changing-newsrooms-2021-hybrid-working-and-improving-diversity-remain-twin-challenges-publishers 

ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ନିଯୁକ୍ତି ଆକଳନ

ଭାରତର ଶୀର୍ଷ ଶିଳ୍ପ ସଂଗଠନ 'କନଫଡ଼େରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରୀ' ଆନୁକୂଲ୍ୟରେ ପ୍ରତିବର୍ଷ ଡ଼ିସେମ୍ବର ମାସରେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପର ଗତିପ୍ରକୃତି ତର୍ଜମା କରିବା ନିମନ୍ତେ 'ଦି ବିଗ୍ ପିକଚ଼ର ସମିଟ' ଆୟୋଜନ କରାଯାଇଥାଏ । ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ଏହି ସମ୍ମେଳନର କ୍ରମାଗତ ଷଷ୍ଠ ସଂସ୍କରଣ ୨୦୧୭ ଡ଼ିସେମ୍ୱର ୫ ଓ ୬ ଦୁଇଦିନ ଧରି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରକାଶିତ ଖ୍ୟାତନାମା ଗବେଷଣା ସଂସ୍ଥା 'ବୋଷ୍ଟନ କନସଲଟିଂ ଗୃପ' ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ ଭାରତୀୟ ଗଣମାଧ୍ୟମର ଅଭିବୃଦ୍ଧି ସଂପର୍କରେ ସାକାରତ୍ମକ ଚ଼ିତ୍ର ଉପସ୍ଥାପନ କରାଯାଇଛି । ଆନ୍ତର୍ଜାତିକସ୍ତରରେ ଆର୍ଥିକ ମନ୍ଦାବସ୍ଥାର ସମତାଳରେ ଆମ ଦେଶରେ ମଧ୍ୟ ଶିଳ୍ପକ୍ଷେତ୍ରରେ ନୈରାଶ୍ୟଜନ ପରିସ୍ଥିତି ପହଞ୍ଚୁଥିବାବେଳେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ଅଭିବୃଦ୍ଧି ଆକଳନ ସୃଜନ କ୍ଷେତ୍ରରେ ଉତ୍ସାହ ସୃଷ୍ଟି ଆଶା କରିଥାଏ । 



ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ବାର୍ଷିକ ୧୧ ରୁ ୧୨ ପ୍ରତିଶତ ଅଭିବୃଦ୍ଧି ହିସାବ କରାଯାଉଥିବାବେଳେ ଏହି ଧାରା ଆଗାମୀ ୫ ବର୍ଷ ଯାଏଁ ବଳବତ୍ତର ରହିବ ଏବଂ ୨୦୨୨ ସୁଦ୍ଧା ବର୍ତ୍ତମାନର ବ୍ୟବସାୟ ଦ୍ୱିଗୁଣିତ ହେବ । ଏଥିରେ ପ୍ରତ୍ୟକ୍ଷ ଭାବେ ୨୦୧୭ ସୁଦ୍ଧା ପ୍ରାୟ ୧୮ ଲକ୍ଷରୁ ୨୦ ଲକ୍ଷ ନିଯୁକ୍ତି ପାଇଥିବା ସ୍ଥଳେ ପ୍ରତିବର୍ଷ ୧ ଲକ୍ଷ ୪୦ ହଜାରରୁ ୧ ଲକ୍ଷ ୬୦ ହଜାର ଯାଏଁ ନୂତନ ନିଯୁକ୍ତି ନିମନ୍ତେ ଦ୍ୱାର ଉନ୍ମୁକ୍ତ ରହିବ । ପରୋକ୍ଷ ନିଯୁକ୍ତିକୁ ହିସାବକୁ ନେଲେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ୩୫ ଲକ୍ଷରୁ ୪୦ ଲକ୍ଷ ନିଯୁକ୍ତି ପାଇଥିବା ସ୍ଥଳେ ୨୦୨୨ ସୁଦ୍ଧା ସେମାନଙ୍କ ସଂଖ୍ୟା ୬୫ ଲକ୍ଷକୁ ବୃଦ୍ଧି ପାଇବା ଆଶା କରାଯାଇପାରେ । 



ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୦ ଲକ୍ଷ ନୂତନ ନିଯୁକ୍ତି ଆକଳନ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପକୁ ଦେଶର ଅନ୍ୟତମ ଲୋଭନୀୟ ନିଯୁକ୍ତି ଉପତ୍ୟକା ରୂପେ ଗଢ଼ିତୋଳିବା ସ୍ୱାଭାବିକ । ତେବେ ଅନ୍ୟାନ୍ୟ ଶିଳ୍ପ ତୁଳନାରେ ଏହି କ୍ଷେତ୍ରରେ ସୃଜନ ମେଧାର ଆବଶ୍ୟକତା ରହୁ ଥିବା ହେତୁ ବିପୁଳ ସଂଖ୍ୟକ ଶ୍ରମଶକ୍ତି ଖୋଜି ବାହାର କରିବା ସମସ୍ୟା ବହୁଳ ମନେ ହୋଇପାରେ । ଆର୍ଥାତ ଏହି ଶିଳ୍ପରେ ନିଯୁକ୍ତିଲାଗି ସୃଜନଶୀଳ କଳାକାର ଶ୍ରେଣୀର ପ୍ରାର୍ଥୀଙ୍କ ଆବଶ୍ୟକତାଥିବାବେଳେ ସାଧାରଣବର୍ଗର ପ୍ରାର୍ଥୀମାନେ ଯୋଗ୍ୟ ବିବେଚ଼ିତ ହୋଇପାରିବେ କି ? ସାଧାରଣ ମେଧାସଂପନ୍ନ ପ୍ରାର୍ଥୀଗଣ ବ୍ୟାଙ୍କ, ଇନସ୍ୟୁରେନ୍ସ, ରିଟେଲ ବା ଡ଼ାଟାଏଣ୍ଟ୍ରି ଭଳି କର୍ମକ୍ଷେତ୍ରରେ କାର୍ଯ୍ୟ ସମ୍ଭାଳି ପାରୁଥିବା ବେଳେ ସୃଜନ କ୍ଷେତ୍ରରେ ଯୋଗ୍ୟ ବିବେଚ଼ିତ ହୋଇପାରିବେ କି ? 



'ବୋଷ୍ଟନ ଷ୍ଟଡ଼ି ଗୃପ' ନିକଟ ଭବିଷ୍ୟତରେ କ୍ରିଏଟରର୍ସ, ଷ୍ଟୋରିଟେଲରର୍ସ ଓ ଟେକନୋଲଜି ପ୍ରୋଭାଇଡ଼ର୍ସଙ୍କ ଲାଗି ନିଯୁକ୍ତି ସୁଯୋଗ ପୁର୍ବାନୁମାନ କରିଛି । 'କ୍ରିଏଟର୍ସ' ବର୍ଗରେ ପ୍ରଯୋଜକ ଓ ନିର୍ଦ୍ଦେଶକ 'ଷ୍ଟୋରି ଟେଲର୍ସ' ବର୍ଗରେ ଲେଖକ ଓ ସ୍କ୍ରିନପ୍ଳେ ରାଇଟର୍ସ ତଥା 'ଟେକନୋଲଜି ପ୍ରେଭାଇଡ଼ର୍ସ' ବର୍ଗରେ କ୍ୟାମରାମେନ ଓ ଏଡ଼ିଟର ତଥା ଆନୁସଙ୍ଗିକ ବୈଷୟିକ ସୃଜନ ପ୍ରତିଭାକୁ ବୁଝାଇଥାଏ । ଆଗାମୀ ପାଞ୍ଚବର୍ଷ ମଧ୍ୟରେ ସମ୍ୱାଦ, ଶିକ୍ଷା, ସ୍ୱାସ୍ଥ୍ୟ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଭିଡ଼ିଓର ବହୁଳ ବ୍ୟବହାର ଆକଳନ କରାଯାଉଥିବାସ୍ଥଳେ ମୋଟାମୋଟିଭାବେ ଅଡ଼ିଓ ଭିଜୁଆଲ ବା ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ସଂଖ୍ୟାଧିକ ନିଯୁକ୍ତି ସୁଯୋଗ ଆଶା କରାଯାଇପାରେ । ରିପୋର୍ଟରେ ଆହୁରି କୁହାଯାଇଛି ଯେ ରାଇଜିଂ କନଜ୍ୟୁମରର୍ସ ଡ଼ିମାଣ୍ଡସ, ଚେଇଜିଂ ବିଜିନେସ ମଡ଼େଲସ ଓ ଡ଼ିଜିଟାଲ ଡ଼ିସପରସନ କାରଣରୁ ସିଗନିଫିକେଣ୍ଟ ପ୍ରୋଫାଇଲ ସିଫଟସ ଇନ ଟେକନୋଲଜିସ, ବିଗ ଡ଼ାଟା ଓ ଆନାଲିଟିକ୍ସ ଏବଂ ରିସ୍କିଲିଂ ଅଫ କରେଣ୍ଟ ୱାର୍କଫୋର୍ସରେ ପର୍ଯ୍ୟବସିତ ହେବା ସୁନିଶ୍ଚିତ ।



ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ବହୁଳଭାବେ ପ୍ରବେଶ କରିବା ଫଳରେ (ରୁରାଲ ଅଡ଼ିଏନ୍ସ) ସେଠାକାର ଡ଼ିଜିଟାଲ ମଞ୍ଚର ଦର୍ଶକମାନେ (ଡ଼ିଜିଟାଲ କନେକ୍ଟଡ଼) ଭିନ୍ନ ଭିନ୍ନ ପର୍ଯ୍ୟାୟର କାର୍ଯ୍ୟକ୍ରମ (ସେଗେମେଣ୍ଟଡ଼ ଅଡ଼ିଏନ୍ସ) ଆବଶ୍ୟକ କରିବେ । ଏଥିନିମନ୍ତେ ସୃଜନଶୀଳ (କ୍ରିଏଟିଉଭ), ବୈଷୟିକ ତାଲିମପ୍ରାପ୍ତ (ଟେକନୋଲଜିକାଲ) ତଥା ଅନୁଶୀଳନରେ ଦକ୍ଷ (ଏନାଲିଟିକାଲ) ଶ୍ରମଶକ୍ତି ନିଯୁକ୍ତିର ସୁଯୋଗ ବୃଦ୍ଧିପ୍ରାପ୍ତ ହେବ ।



ସମସାମୟିକ ଗଣମାଧ୍ୟମରେ ବୈଷୟିକ ପରିବର୍ତ୍ତନକୁ ଆଧାରକରି ଶ୍ରମଶକ୍ତି ପ୍ରସ୍ତୁତ କରିବା ଦିଗରେ ଆମ ଦେଶର ସମ୍ୱାଦିକତା ଓ ଗଣଯୋଗାଯୋଗ ଶିକ୍ଷାକ୍ରମ ଏକରକମ ବିଫଳ ହୋଇଛି ବୋଲି କୁହାଯାଇପାରେ । ଶିକ୍ଷାୟତନରୁ ବାହାରୁଥିବା ଛାତ୍ରଛାତ୍ରୀମାନେ ପରିବର୍ତ୍ତିତ ପରିସ୍ଥିତିରେ ସିଧାସଳଖ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବା ଅନେକ କାରଣରୁ ସମ୍ଭବପର ହୋଇପାରୁ ନାହିଁ । ତେବେ ଅପରପକ୍ଷେ ସୃଜନଶୀଳ ବା କ୍ରିଏଟିଉଭ ପ୍ରତିଭାସଂପନ୍ନ ଶ୍ରମଶକ୍ତି କିପରି ଚ଼ିହ୍ନଟ କରାଯାଇ ତାଲିମ ଦାନ କରାଯାଇପାରିବ ତାହା ଏକ ବଡ଼ ପ୍ରଶ୍ନ ।



ଅତୀତରେ ଗଣମାଧ୍ୟମ ଶିକ୍ଷାକ୍ରମରେ ଭର୍ତ୍ତିହେବା ନିମନ୍ତେ କଡ଼ା ପ୍ରବେଶ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡୁଥିଲା । କେବଳ ସୃଜନପ୍ରତିଭାଧାରୀଙ୍କୁ ଶିକ୍ଷା ଗ୍ରହଣ ନିମନ୍ତେ ଚ଼ୟନ କାରଯାଉଥିଲା । ତେବେ ପରବର୍ତ୍ତୀ ଅବସ୍ଥାରେ ସରକାରୀ ଅନୁଷ୍ଠାନଗୁଡ଼ିକରେ ପ୍ରବେଶ ପରୀକ୍ଷାରେ ସୃଜନ ଭିନ୍ନ ସାଧାରଣ ବୁଦ୍ଧିମତ୍ତାକୁ ପ୍ରାଧାନ୍ୟ ଦିଆଯିବା ତଥା ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମୋଟା ରକମର ଫିସ ଭରିବା ଦକ୍ଷତାକୁ ବିଚ଼ାରକୁ ନିଆଯିବାପରେ ବିଗତ ତିନି ଦଶକ ଧରି ଗଣମାଧ୍ୟମ ଶିକ୍ଷାକ୍ରମ କିମ୍ୱୁତକିମ୍ୱାକାର ପରିସ୍ଥିତିର ସମ୍ମୁଖୀନ ହୋଇଛି । ଏହି ପରିବେଶ ଆଗାମୀ ପାଞ୍ଚ ବର୍ଷରେ ୪୦ ଲକ୍ଷ ନିଯୁକ୍ତି ନିମନ୍ତେ କିପରି ଶ୍ରମଶକ୍ତି ସୃଷ୍ଟିରେ ସହାୟକ ହୋଇପାରିବ ତାହା ଏକ ଅମୀମାଂଶିତ ପ୍ରଶ୍ନ ।

 


'ବୋଷ୍ଟନ ଷ୍ଟଡ଼ି' ଗୃପ ନିଜ ରିପୋର୍ଟରେ ସରକାର, ଶିକ୍ଷାୟତନ ଓ ଗଣମାଧ୍ୟମ ଶିଳ୍ପ ପକ୍ଷରୁ ସମ୍ମିଳିତ ପ୍ରଚ଼େଷ୍ଟାରେ ଆବଶ୍ୟକୀୟ ଶ୍ରମଶକ୍ତି ସୃଷ୍ଟି ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି । ସଂଭବତଃ ପାରମ୍ପରିକ ଆନୁଷ୍ଠାନିକ ସାମ୍ୱାଦିକତାଭିତ୍ତିରୁ ବିକଶିତ ସାମ୍ୱାଦିକତା ଓ ଗଣଯୋଗାଯୋଗ ଶିକ୍ଷାକ୍ରମ ପରିବର୍ତ୍ତେ ସୃଜନଶୀଳତା ଓ ଇଣ୍ଟରନେଟ ମଞ୍ଚ ଭିତ୍ତିରେ ପ୍ରସ୍ତୁତ ଏକ ନୂତନ ଗଣଯୋଗାଯୋଗ ଶିକ୍ଷାକ୍ରମର ଆବଶ୍ୟକତା ଅନୁଭୂତ ହେଉଛି । ଉଦାହରଣ ସ୍ୱରୂପ ବର୍ତ୍ତମାନ ମୋବାଇଲ ଫୋନରେ ଚ଼ିତ୍ର ଗ୍ରହଣ ବା ସୁଟିଂ ଚ଼ିତ୍ରସମ୍ପାଦନା ବା ସମ୍ପାଦନା ତଥା ପ୍ରେରଣ ବା ଫାଇଲ କରିବା ସୁବିଧା ହାତପାଆନ୍ତାରେ ପହଞ୍ଚିଥିବାବେଳେ ଛାତ୍ରଛାତ୍ରୀଙ୍କୁ ଏହି କ୍ଷେତ୍ରରେ ଦକ୍ଷତା ହାସଲ କରାଇବା ଅନିର୍ବାଯ୍ୟ । ସେହିପରି ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ନିମନ୍ତେ ଶ୍ରେଣୀଗୃହ ଅପେକ୍ଷା ଅନଲାଇନ ଶିକ୍ଷାଗ୍ରହଣ ଅଧିକ ପ୍ରଭାବଶାଳୀ ମନେହୁଏ । ତେବେ ସର୍ଜନଶୀଳତା ବିକାଶ ନିମନ୍ତେ ଅନ୍ତତଃ ମାଟ୍ରିକ ପରଠାରୁ ତିନିରୁ ପାଞ୍ଚ ବର୍ଷ କିପରି ଲେଖାଲେଖି, ଚିତ୍ରନିର୍ମାଣ ବା କଣ୍ଟେଣ୍ଟ କ୍ରିଏସନରେ ଦକ୍ଷତା ହାସଲ କରିପାରିବେ ସେ ଦିଗରେ ଯତ୍ନଶୀଳ ହେବାକୁ ପଡ଼ିବ । ଏସବୁ ପ୍ରଚଳିତ ଶିକ୍ଷାଧାରାରେ ଆମୁଳଚୂଳ ପରିବର୍ତ୍ତନ ଆବଶ୍ୟକ କରିଥାଏ  । ହୁଏତ ଚଏସ ବେସଡ଼ କ୍ରେଡ଼ିଟ ସିଷ୍ଟମର ସୁପରିଚାଳନା ଏହି ଦିଗରେ ପ୍ରକୃଷ୍ଟ କ୍ଷେତ୍ର ଯୋଗାଇ ଦେଇପାରେ ।


ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ଆଗାମୀ ପଞ୍ଚ ବର୍ଷ ମଧ୍ୟରେ ୪୦ ଲକ୍ଷ ନିଯୁକ୍ତି ନିମନ୍ତେ ସର୍ବସାଧରଣଙ୍କ ଟିକସ ପଇସାରେ ପ୍ରସ୍ତୁତ କୌଣସି ଭିତ୍ତିଭୂମିର ଯେ ଆବଶ୍ୟକତା ପଡ଼ିବ ନାହିଁ ଏହା ଏକ ଗରୁତ୍ୱପୂର୍ଣ୍ଣ ଦିଗ । ପରିବର୍ତ୍ତିତ ପୃଷ୍ଠଭୂମିରେ ଅଣ-ପାରମ୍ପରିକ କ୍ଷେତ୍ରରେ କିପରି ନିଯୁକ୍ତି ସୁବିଧା ସୁଯୋଗ ବଢୁଛି ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ତାହାର ଏକ ପ୍ରକୃଷ୍ଟ ଉଦାହରଣ ସୃଷ୍ଟି କରିଛି ।          


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଡ଼ିସେମ୍ୱର ୨୦୧

ଗଣମାଧ୍ୟମ ଶିଳ୍ପରେ ଅଭିବୃଦ୍ଧି ହ୍ରାସ ଆକଳନ 

ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ଅଭିବୃଦ୍ଧି ହ୍ରାସ ଆକଳନ କରାଯାଉଛି । ଖ୍ୟାତନାମା ବାଣିଜ୍ୟ-ବ୍ୟବସାୟ ଗବେଷଣା ପ୍ରତିଷ୍ଠାନ ‘ପ୍ରାଇସ-ୱାଟରହାଉସ-କୂପର’ ପକ୍ଷରୁ ଜୁଲାଇ ୨୦୨୩ରେ ପ୍ରକାଶିତ ‘ଗ୍ଳୋବାଲ ଏଣ୍ଟଟେନମେଣ୍ଟ ଏଣ୍ଡ ମିଡ଼ିଆ ଆଉଟଲୁକ ୨୦୨୩-୨୭’ରେ ପ୍ରକାଶିତ ତଥ୍ୟାବଳୀ କୋଭିଡ଼-୧୯ ମହାମାରୀ-ପର ଅବସ୍ଥାରେ ଆଶା କରାଯାଉଥିବା ପ୍ରଗତିର ବିପରୀତ ଚ଼ିତ୍ର ଦେଖିବାକୁ ମିଳିଛି । ବିଶ୍ୱବ୍ୟାପୀ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ଅଭିବୃଦ୍ଧି ୨୦୨୧ରେ ୧୦.୬ ପ୍ରତିଶତ ହିସାବ କରାଯାଉଥିବା ସ୍ଥଳେ ୨୦୨୨ରେ ୫.୪ ପ୍ରତିଶତକୁ ହ୍ରାସ ପାଇଛି । ବିଶେଷଜ୍ଞଙ୍କ ଆକଳନରେ ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ପାଞ୍ଚ ବର୍ଷ କ୍ରମାଗତଭାବେ ବାର୍ଷିକ ଅଭିବୃଦ୍ଧି ହାର ହ୍ରାସ ପାଇ ୨୦୨୬ରେ ୨.୮ ପ୍ରତିଶତରେ ପହଞ୍ଚିବ । ଭିନ୍ନ ଭିନ୍ନ ଭୌଗଳିକ ପରିବେଶରେ ତାରତମ୍ୟ ରହିବା ସୂଚ଼ିତ କରାଯାଉଥିଲେହେଁ ସାମଗ୍ରିକଭାବେ ଗଣମାଧ୍ୟମ ଶିଳ୍ପ ଯେ ସଂଘର୍ଷପୂର୍ଣ୍ଣ ସମୟ ଦେଇ ଗତି କରିବ, ଏହାକୁ ଅସ୍ୱୀକାର କରିହେବ ନାହିଁ ।

 

ରିପୋର୍ଟ ଅନୁଯାୟୀ ଭାରତରେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପର ଅଭିବୃଦ୍ଧି ହାର ୨୦୨୨ରେ ୧୫.୯ ପ୍ରତିଶତ ଆଶ୍ୱାସନାର ବିଷୟ । ପରବର୍ତ୍ତୀ ପାଞ୍ଚ ବର୍ଷ ବ୍ୟାପୀ ବାର୍ଷିକଭିତ୍ତିରେ ୯.୭ ପ୍ରତିଶତ ଯାଏଁ ଅଭିବୃଦ୍ଧି ଆଶା କରାଯାଉଛି । ଅବଶ୍ୟ ନିକଟ ଅତୀତରେ ପୂର୍ବ-ଏସୀୟ ରାଷ୍ଟ୍ରଗୁଡ଼ିକର ଅଭିଜ୍ଞତା ବିଶ୍ଳେଷଣ କଲେ ଦେଶରେ ପାରମ୍ପରିକ ଗଣମାଧ୍ୟମ ଶିଳ୍ପ ଆଙ୍ଗିକରେ ବ୍ୟାପକ ପରିବର୍ତ୍ତନ ଅବଶ୍ୟମ୍ଭାବୀ । ଇଣ୍ଡୋନେସିଆରେ ଗ୍ରାମାଞ୍ଚଳରେ ମୋବାଇଲ ବ୍ରଡ଼ବ୍ୟାଣ୍ଡ ପ୍ରସାର ପରେ ଜାତୀୟସ୍ତରରେ ଓଟିଟି ଷ୍ଟ୍ରୀମିଂ ସର୍ବାପେକ୍ଷା ଅଭିବୃଦ୍ଧି ଦାବୀ କରିଥିଲା । ଉପଭୋକ୍ତାମାନେ ଡ଼ିଜିଟାଲ ମଞ୍ଚରେ ସ୍ଥାନୀୟ କାର୍ଯ୍ୟକ୍ରମ ଓ କ୍ରୀଡ଼ାକୁ ଅଗ୍ରାଧୀକାର ଦେଇଥିଲେ । ଭାରତ ତଥା ଓଡ଼ିଶାରେ ୨୦୨୭ ସୁଦ୍ଧା ଗ୍ରାମାଞ୍ଚଳରେ ବ୍ୟାପକ ଇଣ୍ଟରନେଟ ସଂଯୋଗ ଓ ସ୍ମାର୍ଟଫୋନ ବ୍ୟବହାର ଆଶା କରାଯାଉଥିବା ସ୍ଥଳେ ଗଣମାଧ୍ୟମ ଓ ମନୋରଞ୍ଜନ ମଞ୍ଚ ଉପଭୋକ୍ତାଙ୍କ ଆଚ଼ରଣରେ ପରିବର୍ତ୍ତନ ନିର୍ଦ୍ଧାରକ ଭୂମିକା ଗ୍ରହଣ କରିବ ।

 

ଅବଶ୍ୟ ଚ଼ୀନରେ ଓଲଟା ଚ଼ିତ୍ର ଦେଖିବାକୁ ମିଳିଛି । ସେଠାକାର ପ୍ରସିଦ୍ଧ ଟେନସେଣ୍ଟ ଭିଡ଼ିଓ, ୟୋଲା, ଆଇକ୍ୟୁୱାଇଆଇ ଭଳି ଓଟିଟି ମଞ୍ଚ ସର୍ଟ ଭିଡ଼ିଓର ଲୋକପ୍ରିୟତା ସମ୍ମୁଖରେ ମଳିନ ହୋଇପଡ଼ିଛି । ଦୁୟାନ ଓ କ୍ୱାରିସୁ ଭଲି ସର୍ଟ ଭିଡ଼ିଓ ମଞ୍ଚ ଆଗୁଆ ରହିଛି । ପ୍ରଶ୍ନ ଉଠେ, ଆମ ଦେଶରେ ପରବର୍ତ୍ତୀ ପାଞ୍ଚ ବର୍ଷରେ ନୂତନ ଇଣ୍ଟରନେଟ ଉପଭୋକ୍ତା ତ ସ୍ମାର୍ଟଫୋନ ବ୍ୟବହାର କରିବେ, ତେବେ ଓଟିଟି ମଞ୍ଚରେ କିଛି ଦିନ ବିତାଇବେ ନା ସିଧାସଳଖ ସର୍ଟ ଭିଡ଼ିଓ ପରିଧିକୁ ଲମ୍ଫ ପ୍ରଦାନ କରିବେ ? ଏଠାରେ ୨୦୨୩ ସୁଦ୍ଧା ଫେସବୁକ, ୟୁଟ୍ୟୁବ ଭଳି ମଞ୍ଚରେ ସର୍ଟ ଭିଡ଼ିଓର ଲୋକପ୍ରିୟତା ବେଶ ଉତ୍ସାହଜନକ ପରିସ୍ଥିତିରେ ପହଞ୍ଚିଥିବାରୁ ନୂତନ ଇଣ୍ଟରନେଟ ଉପଭୋକ୍ତାଙ୍କ ସମ୍ଭାବ୍ୟ ଆଚ଼ରଣରେ ସନ୍ଦେହ ଉପୁଜିଥାଏ ।

 

ପ୍ରାଇସ-ୱାଟରହାଉସ-କୂପର ରିପୋର୍ଟରେ ବର୍ଣ୍ଣିତ ଆନ୍ତର୍ଜାତିକ ଗଣମାଧ୍ୟମ ପ୍ରେକ୍ଷାପଟ୍ଟରେ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ରୂପେ ଉପଭୋକ୍ତାଙ୍କ ଗଣମାଧ୍ୟମ ଓ ମନୋରଞ୍ଜନ ବାବଦରେ  ଖର୍ଚ୍ଚକାଟକୁ ଦର୍ଶାଯାଇଛି । କୁହାଯାଉଛି ଯେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ପାରମ୍ପରିକ ଅନାଲଗରୁ ଉନ୍ନତ ବୈଷୟିକ କୌଶଳ ସମ୍ପନ୍ନ ଡ଼ିଜିଟାଲ ସ୍ତରକୁ ଉନ୍ନୀତ ହେବା ଫଳରେ ପ୍ରଯୋଜନା ଓ ବିତରଣ ଖର୍ଚ୍ଚ ହ୍ରାସ ପାଇଛି । ସେହିପରି ଉପଭୋକ୍ତାମାନେ ଅଧିକ ପରିମାଣରେ ଉପାଦାନ ଆହରଣ କଲେ ସୁଦ୍ଧା ଅଧିକ ଖର୍ଚ୍ଚ କରିବାକୁ ପଡୁ ନାହିଁ । ଆନୁପାତିକ ହିସାବରେ ଉପଭୋକ୍ତାମାନେ ବ୍ୟକ୍ତି ପିଛା ଆୟର ୦.୫୩ ପ୍ରତିଶତ ଗଣମାଧ୍ୟମ ଓ ମନୋରଞ୍ଜନ ବାବଦରେ ୨୦୨୩ରେ ଖର୍ଚ୍ଚ କରୁଥିବା ସ୍ଥଳେ ପାଞ୍ଚ ବର୍ଷ ପରେ ୨୦୨୭ରେ ୦.୪୫ ପ୍ରତିଶତକୁ ଖସିଆସିବ । ଏହାର ପ୍ରଭାବରେ ସାମଗ୍ରିକ ଭାବେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ଆୟ କମିଯିବ ।

 

ଆୟହାନୀକୁ ଦୃଷ୍ଟିରେ ରଖି ନିବେଶକମାନଙ୍କୁ ବ୍ୟାବସାୟିକ ଢାଞ୍ଚାରେ ପରିବର୍ତ୍ତନ ଲାଗି ଉଦ୍ୟମ ଜରୁରି । ଅଗ୍ରଣୀ ବ୍ୟାବସାୟିକ ପ୍ରତିଷ୍ଠାନର ପରିଚାଳକମାନଙ୍କ ମଧ୍ୟରୁ ୪୦ ପ୍ରତିଶତ କହୁଛନ୍ତି ଯେ ୨୦୨୩ର ମଡ଼େଲ ୨୦୩୩ରେ ଅକାମୀ ହୋଇପଡ଼ିବ । ବ୍ୟାବସାୟିକ ଲକ୍ଷ୍ୟରେ ପରିବର୍ତ୍ତନ, ପ୍ରଚଳିତ ପ୍ରଣାଳୀରେ ସଂଶୋଧନ ଓ ବିକଶିତ ବୈଷୟିକ କୌଶଳ ଉପଯୋଗ ଆବଶ୍ୟକ । ସୃଜନ କୃତ୍ରିମ ବୁଦ୍ଧିମତ୍ତା ଭଳି ଅତ୍ୟାଧୁନିକ ପ୍ରଯୁକ୍ତି କୌଶଳ ବ୍ୟାବସାୟିକ ଢ଼ାଞ୍ଚାଗତ ପରିବର୍ତ୍ତନରେ ସହାୟକ ହେବା ରିପୋର୍ଟରେ ଆଶା ପ୍ରକାଶ କରାଯାଇଛି ।

 

ପାରମ୍ପରିକ ଗଣମାଧ୍ୟମ ମଡ଼େଲର ମୁଖ୍ୟ ଆଧାର ବିଜ୍ଞାପନ ବ୍ୟୟ ଆନ୍ତର୍ଜାତିକସ୍ତରରେ ୨୦୨୨ରୁ ୨୦୨୭ ପାଞ୍ଚ ବର୍ଷ ମଧ୍ୟରେ ବାର୍ଷିକ ୪.୫୨ ପ୍ରତିଶତ ବୃଦ୍ଧି ଆକଳନ କରାଯାଉଛି । ତେବେ ବିଜ୍ଞାପନ ବ୍ୟୟ ମୁଖ୍ୟତଃ ଡ଼ିଜିଟାଲ ମଞ୍ଚ ଅଭିମୁଖୀ ତଥା ଇ-କମର୍ସ, ଭିଡ଼ିଓ ଗେମ ଓ ଷ୍ଟ୍ରୀମିଂ ମଞ୍ଚକୁ ଅପସାରିତ ହେବା ନିଶ୍ଚିତ । ଉପଭୋକ୍ତାମାନେ ଦୀର୍ଘ ସମୟ ଧରି ଇ-କମର୍ସ ମଞ୍ଚରେ ସମୟ କାଟୁଥିବା ଓ କିଣାବିକା ଲାଗି ସୂଚ଼ନା ପରଖୁଥିବା ହେତୁ ସେମାନଙ୍କୁ ନିଷ୍ପତ୍ତି ଗ୍ରହଣ ‘ପଏଣ୍ଟ-ଅଫ-ଡ଼େସିସେନ’ ଓ ଖରିଦ ‘ପଏଣ୍ଟ-ଅଫ-ପର୍ଚ୍ଚେଜ’ ଅବସରରେ ଡ଼ିଜିଟାଲ ବିଜ୍ଞାପନ ପ୍ରଦର୍ଶନ ଅଗ୍ରାଧିକାର ଲାଭ କରିବ । ଫେସବୁକ ଓ ଗୁଗୁଲ ଭଳି ମଞ୍ଚରୁ ବିଜ୍ଞାପନ ଅପସାରଣ ଧାରା ଏହି ଭଳି ଆକଳନକୁ ସମର୍ଥନ ଜଣାଇଥାଏ । ଦୁଇ ମଞ୍ଚରେ ୨୦୨୨ରେ କ୍ରମାଗତ ପାଞ୍ଚ ବର୍ଷ ଧରି ବିଜ୍ଞାପନ ଆୟ ହ୍ରାସ ଦେଖିବାକୁ ମିଳିଥିଲା ।

 

ମନୋରଞ୍ଜନ ଶିଳ୍ପରେ ଚଳଚ଼ିତ୍ର ୨୦୨୫ ସୁଦ୍ଧା ପ୍ରେକ୍ଷାଳୟ ପ୍ରଦର୍ଶନ ଆୟରେ ସୁଧାର ଆସିବା ବିଶ୍ୱାସ କରାଯାଉଛି । ଚଳଚ଼ିତ୍ରର କାହାଣୀ କ୍ରମଶଃ ଭିଡ଼ିଓ ଗେମର କାହାଣୀ ଓ  ଚ଼ରିତ୍ରଭିତ୍ତିକ ହୋଇ ପଡୁଥିବା ଏକ ନୂତନ ଉପକ୍ରମ । ଆଗାମୀ ପାଞ୍ଚ ବର୍ଷରେ ଏହାର ପ୍ରଭାବ ବୃଦ୍ଧି ପାଇପାରେ । ଉତ୍ତର ଆମେରିକା ବଜାରରେ ୨୦୨୨ରେ ଏହି ଧରଣର ଚଳଚ଼ିତ୍ରରୁ ବେଶ ଆୟ ହିସାବ କରାଯାଇଥିଲା । ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଏକକ-ଉପଭୋକ୍ତା-କେନ୍ଦ୍ରୀକ ଉପାଦାନ ସଂକଳନ ଅନ୍ୟ ଏକ କ୍ରମବିକଶିତ ଧାରା ଏବଂ ନିକଟ ଭବିଷ୍ୟତରରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ଏହି ଦିଗରେ ବ୍ୟାପକ ଉନ୍ନତି ଆଶା କରାଯାଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

 

ଆନ୍ତର୍ଜାତିକସ୍ତରରେ ଇଣ୍ଟରନେଟର ବ୍ୟାପ୍ତି କ୍ଷୀପ୍ର ଥିବା ସ୍ଥଳେ ଆଧୁନିକ ପ୍ରଯୁକ୍ତି କୌଶଳ ଉପଯୋଗରେ ମଧ୍ୟ ପ୍ରଗତି ଦେଖିବାକୁ ମିଳୁଛି । ବିଶେଷଜ୍ଞଙ୍କ ଆକଳନରେ ୨୦୨୫ ସୁଦ୍ଧା ୫ଜି ବୈଷୟିକ କୌଶଳ ବ୍ୟବହାର ୪ଜି ଠାରୁ ଆଗୁଆ ରହିବ । ଏହାର ଅର୍ଥ, ଡ଼ିଜିଟାଲ ମଞ୍ଚ ପରିଚାଳନାରେ ବିକାଶଶୀଳ ଓ ଅନୁନ୍ନତ ରାଷ୍ଟ୍ରଗୁଡ଼ିକରେ ଦେଖାଦେଇଆସିଥିବା ଇଣ୍ଟରନେଟ ସଂଯୁକ୍ତିଗତ ସମସ୍ୟା ଅନେକାଂଶରେ ସମାଧାନ ସଂଭବ । ଡ଼ିଜିଟାଲ ମଞ୍ଚଗୁଡ଼ିକର ବ୍ୟାପକ ପ୍ରସାର ଫଳରେ ସମଅନୁପାତରେ ବିଜ୍ଞାପନ ଆୟ ମଧ୍ୟ ବୃଦ୍ଧି ପାଇବ । ଭାରତରେ ୨୦୨୨ରୁ ୨୦୨୭ ମଧ୍ୟରେ ଇଣ୍ଟରନେଟ ବିଜ୍ଞାପନ ବାର୍ଷିକ ୧୨.୩ ପ୍ରତିଶତ ଅଭିବୃଦ୍ଧି ଆକଳନ କରାଯାଉଛି ।

 

ଆଲୋଚ୍ୟ ରିପୋର୍ଟର ଉପସଂହାରରେ ସୂଚ଼ିତ କରାଯାଇଛି ଯେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ମୂଳତଃ ସୃଜନ-ଆଶ୍ରିତ । ଅର୍ଥାତ ସାହିତ୍ୟିକ, କଳାକାର ଓ କଳ୍ପନାବିଳାସୀଙ୍କ ଚରାଭୂମି । ବ୍ୟାପକ ବୈଷୟିକ ପ୍ରଗତି ଓ ପରିବର୍ତ୍ତିତ ସାମାଜିକ ପୃଷ୍ଠଭୂମିରେ ସୃଜନ, ପରିବେଷଣ ଓ ଅର୍ଥକାରୀ ଆଭିମୁଖ୍ୟ 'ମନିଟାଇଜେସନ‘ର ସଫଳ ମିଶ୍ରଣ ଗଣମାଧ୍ୟମ ଶିଳ୍ପରେ ସଫଳତାର ମନ୍ତ୍ର ରୂପେ ପରିଗଣିତ ହେବ । ଗଣମାଧ୍ୟମ ମଞ୍ଚଗୁଡ଼ିକ ସ୍ଥିର ଲକ୍ଷ୍ୟ ଓ ଦୀର୍ଘ ସ୍ଥାୟୀ ଉଦ୍ୟମରେ ସଫଳତା ହାସଲ କରିପାରିବେ ।           


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୧ ଅଗଷ୍ଟ ୨୦୨୩


ତଥ୍ୟ:

 

Perspectives from the Global Entertainment & Media Outlook 2023-2027/ June 21, 2023

 

https://www.pwc.com/gx/en/industries/tmt/media/outlook/insights-and-perspectives.html

 

Kohli-Khandekar, Vanita. Future of media not very entertaining. Business Standard (Bhubaneswar Edition). July 25, 2023

ଓଡ଼ିଆ ସାମ୍ୱାଦିକତାରେ ଶିକ୍ଷାନବୀଶ ସମସ୍ୟା

ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ବିଗତ ପାଞ୍ଚବର୍ଷ ଧରି ଅଭିବୃଦ୍ଧିହାର ୧୧ ରୁ ୧୨ ପ୍ରତିଶତ ଗଣନା କରାଯାଇଥିବା ତଥା ଆଗାମୀ ପାଞ୍ଚବର୍ଷ ପାଇଁ ତାହା ଅପରିବର୍ତ୍ତିତ ରହିବା ପୂର୍ବାନୁମାନ କରାଯାଉଥିବା ଅବସରରେ ଏହି କ୍ଷେତ୍ରରେ ନିଯୁକ୍ତିର ଗତିପ୍ରକୃତି ଗୁରୁତ୍ୱ ବହନ କରିଥାଏ କୁହାଯାଉଛି ଯେ ଆଗାମୀ ୨୦୨୨ ସୁଦ୍ଧା ପାଞ୍ଚବର୍ଷରେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ୪୦ ଲକ୍ଷ ନୂତନ ନିଯୁକ୍ତି ସଂଭବପର । ଆନୁପାତିକ ହିସାବରେ ଓଡ଼ିଶାର ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ମଧ୍ୟ ଊଣାଅଧିକେ ଉଭୟ ବିସ୍ତୃତି ଓ ନିଯୁକ୍ତି କ୍ଷେତ୍ରରେ ସମଭାବେ ପ୍ରତିଫଳିତ ହେବା ଆଶା କରାଯାଇପାରେ ।


 

ଓଡ଼ିଶାର ଗଣମାଧ୍ୟମ ପରିଚାଳନା ସହ ସଂପୃକ୍ତ ପଦଧିକାରୀମାନେ ବିଗତ କିଛି ବର୍ଷରୁ ନିଯୁକ୍ତିକ୍ଷେତ୍ରରେ ମନମୁତାବକ ପ୍ରାର୍ଥୀ ଖୋଜି ବାହାର କରିବାରେ ଅସୁବିଧା ସମ୍ମୁଖୀନ ହୋଇ ଆସୁଥିଲେ । ତେବେ ଗତ ଦୁଇ ବର୍ଷ ଧରି ଏହି ସମସ୍ୟା ଉତ୍କଟ ଆକାର ଧାରଣ କରିଛି । ଏକ ପକ୍ଷରେ ନୂତନ ସମ୍ୱାଦପତ୍ର, ଟେଲିଭିଜନ ଚ଼୍ୟାନେଲ ଓ ଅନଲାଇନ ପ୍ରକାଶନ ଉନ୍ମୋଚ଼ନ କାଳରେ ଅଭିଜ୍ଞ ପ୍ରତିଭା ସ୍ଥାନାନ୍ତରିତ ହେଉଥିବା ସ୍ଥଳେ ଅନ୍ୟ ପକ୍ଷରେ ସେମାନଙ୍କ ଅଭାବ ପୂରଣ କରିବା ନିମନ୍ତେ ଉପଯୁକ୍ତ ନିଯୁକ୍ତି ସଂଭବପର ହୋଇପାରୁ ନାହିଁ । ତାଲିମପ୍ରାପ୍ତ ସୃଜନଶୀଳ ପ୍ରତିଭା ଅଭାବରେ ଗଣମାଧ୍ୟମର ଦୈନନ୍ଦିନ କାର୍ଯ୍ୟପରିଚ଼ାଳନାରେ ବାଧା ଉପୁଜିବା ସାଙ୍ଗକୁ ଉତ୍ପାଦଗୁଡ଼ିକରେ ଗୁଣାତ୍ମକ ବିକାଶର ପଥ ଅବରୁଦ୍ଧ ରହୁଛି ।


 

ଏତଦ୍ବ୍ୟତୀତ ଓଡ଼ିଆ ସାମ୍ୱାଦିକତାରେ, ମୁଖ୍ୟତଃ ସମ୍ୱାଦପତ୍ର ପ୍ରକାଶନ କ୍ଷେତ୍ରରେ ଶିକ୍ଷାନବୀଶ ବା ନୂତନକରି ଯୋଗ ଦେଉଥିବା ପ୍ରତିଭାଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛି । ଏକ ବହୁଳ ପ୍ରସାରିତ ସମ୍ୱାଦପତ୍ର ସଂସ୍ଥାର ମାନବସଂବଳ ମୁଖ୍ୟ କଥାପ୍ରସଙ୍ଗରେ ଦୁଃଖ ପ୍ରକାଶ କରି କହୁଥିଲେ ଯେ ବିଗତ ଦିନରେ ସମ୍ୱାଦପତ୍ରରେ ନିଯୁକ୍ତି ଆଶାରେ ବର୍ଷ ସାରା ପ୍ରାର୍ଥୀ ଆବେଦନ କରୁଥିଲେ । ଉପଯୁକ୍ତ ପ୍ରାର୍ଥୀ ଚ଼ୟନ କରି ଶିକ୍ଷାନବୀଶଭାବେ ନିଯୁକ୍ତି ଦେବାର ସୁଯୋଗ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଦରଖାସ୍ତ ପ୍ରାୟ ଆସୁନାହିଁ । ସଂସ୍ଥାକୁ ବାଧ୍ୟ ହୋଇ ‘ନୌକରି-ଡ଼ଟ-କମ’ ଭଳି ସାଇଟରୁ ପ୍ରାର୍ଥୀ ଖୋଜି ବାହାର କରିବାକୁ ପଡୁଛି ।


 

ଅତୀତରେ ସମ୍ୱାଦପତ୍ର କାର୍ଯ୍ୟାଳୟକୁ ସିଧାସଳଖ ଆବେଦନ କରିବା ପ୍ରକ୍ରିୟା ପରିବର୍ତ୍ତିତ ପରିସ୍ଥିତିରେ ଇଣ୍ଟରନେଟ ମଞ୍ଚରେ ପ୍ରାର୍ଥୀତ୍ୱ ପ୍ରକାଶନ ଧାରାରେ ପରିବର୍ତ୍ତିତ ହୋଇଥିବା କୁହାଯାଇପାରେ । ତେବେ ଏଠାରେ ଦୁଇଗୋଟି ପ୍ରଶ୍ନ ଉଠିଥାଏ। ପ୍ରଥମତଃ ବହୁଳ ପ୍ରସାରିତ କିମ୍ୱା କୌଣସି ନିର୍ଦ୍ଧିଷ୍ଟ ସମ୍ୱାଦପତ୍ରରେ ଶିକ୍ଷାନବୀଶମାନେ ନିଯୁକ୍ତି ଲାଗି ଗୁରୁତ୍ୱ ଦେଉ ନାହାନ୍ତି କି ? ଦ୍ୱିତୀୟତଃ ନିଯୁକ୍ତି କ୍ଷେତ୍ରରେ ପୂର୍ବେ ପ୍ରାର୍ଥୀଙ୍କ ପକ୍ଷରୁ ଉଦ୍ୟମ କାରଯାଉଥିବା ସ୍ଥଳେ ବର୍ତ୍ତମାନ ତାହା ସମ୍ୱାଦପତ୍ର ପ୍ରକାଶକଙ୍କ କାର୍ଯ୍ୟପରିସରଭୁକ୍ତ ହେଲାଣି କି ?


 

ସାମ୍ୱାଦିକତାରେ ପ୍ରବେଶ ନିମନ୍ତେ ଆଗ୍ରହୀ ପ୍ରାର୍ଥୀମାନେ ସମ୍ୱାଦପତ୍ର ତୁଳନାରେ ଟେଲିଭିଜନରେ ଶିକ୍ଷାନବୀଶଭାବେ ନିଯୁକ୍ତିଲାଗି ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି । ଏହାର କାରଣଗୁଡ଼ିକ ମଧ୍ୟରେ ସମ୍ୱାଦପତ୍ରରେ ବିନା ବାଇଲାଇନରେ ଅଦୃଷ୍ଟ ପ୍ରତିଭାରୂପେ କାର୍ଯ୍ୟ ତୁଲାଇବା ବଦଳରେ ଟେଲିଭିଜନ ପରଦାରେ ସମ୍ୱାଦଦାତାଙ୍କ ଉପସ୍ଥିତି ଆକର୍ଷଣୀୟ ବା ଗ୍ଳାମରସ ବୋଧ ହେବା ସ୍ୱଭାବିକ । ସମ୍ୱାଦପତ୍ର ତୁଳନାରେ ଟେଲିଭିଜନରେ କମ ସମୟମଧ୍ୟରେ ପ୍ରସିଦ୍ଧି ଲାଭର ଉପଲବ୍ଧ ସୁଯୋଗ ଅନ୍ୟତମ ଆକର୍ଷଣ । ସମ୍ୱାଦପତ୍ରରେ ବିଶେଷ କରି ସମ୍ପାଦନା ବିଭାଗରେ ଭାଷାଗତ ଦକ୍ଷତା, ସମକାଳୀନ ଘଟଣାବଳୀ ସଂପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଓ କାର୍ଯ୍ୟକ୍ଷେତ୍ରରେ ଦୀର୍ଘ ସମୟ ଉପଯୋଗର କାର୍ଯ୍ୟଭାର ନବାଗତମାନଙ୍କୁ ଏଥିପ୍ରତି ଆଗ୍ରାହାନ୍ୱିତ କରିନପାରୁଥିବା ବିଚ଼ାରକୁ ଆସିଥାଏ ।ଓଡ଼ିଶା ଗଣମାଧ୍ୟମ ଶିଳ୍ପରେ ଅପେକ୍ଷାକୃତ ସ୍ୱଳ୍ପ ବେତନହାର ଓ ଚ଼ାକିରୀ ସର୍ତ୍ତାବଳୀ ମଧ୍ୟ ଆକର୍ଷଣୀୟ ମନେ ହୋଇନଥାଏ ।


 

ପାରମ୍ପରିକଭାବେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ମୁଖ୍ୟତଃ ପ୍ରତିଭାଧର ଲେଖକ, ସାମ୍ୱାଦିକ, କଳାକାର ନିଯୁକ୍ତି ପାଉଥିଲେ । ସେମାନଙ୍କ କ୍ଷେତ୍ରରେ ‘ପେଷା’ ଅପେକ୍ଷା ‘ନିଶା’ ଗୁରୁତ୍ୱ ବହନ କରୁଥିଲା । ଏପରିକି ବୈଷୟିକ କର୍ମଚ଼ାରୀ ବା ଟେକନିସିଆନମାନେ ମଧ୍ୟ ଊଣାଅଧିକେ କଳା ଓ ସଂସ୍କୃତିରେ ସଉକ ରଖୁଥିଲେ । ତେବେ ବିଗତ ଚ଼ାରି ଦଶନ୍ଧିରେ ଓଡ଼ିଆ ଗଣମାଧ୍ୟମରେ ବିସ୍ତୃତି ଅନେକ ସାହିତ୍ୟିକ ବା କଳାକାର ପର୍ଯ୍ୟାୟ ବହିର୍ଭୂତଙ୍କୁ ନିଯୁକ୍ତି ଦେବାରେ ବାଧ୍ୟ ହୋଇଛି ।


 

ଅତୀତରେ ଗଣମାଧ୍ୟମ କର୍ମକ୍ଷେତ୍ରରେ ଯୋଗଦେବା ପୂର୍ବରୁ ପ୍ରାର୍ଥୀଗଣ ଆନୁଷ୍ଠାନିକ ବା ଅଣଆନୁଷ୍ଠାନିକ ଭାବେ କିଛି କାଳ ଶିକ୍ଷାନବୀଶଭାବେ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ଅଭିଜ୍ଞତା ହାସଲ କରୁଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ତାହା ସମ୍ଭବପର ହୋଇପାରିନଥିଲା । ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସମ୍ୱନ୍ଧୀୟ ପାଠ୍ୟକ୍ରମ ପ୍ରବର୍ତ୍ତିତ ହେବାପରେ ଇତିହାସ, ଅର୍ଥନୀତି ବା ରାଜନୀତି ବିଜ୍ଞାନ ଭଳି ଶିକ୍ଷାର୍ଥୀମାନେ ସାମ୍ୱାଦିକତା ଅଧ୍ୟୟନ କରି କାର୍ଯ୍ୟକ୍ଷେତ୍ରରେ ପହଞ୍ଚିବାରେ ଲାଗିଲେ । ଏଭଳି ପରିବେଶ କାର୍ଯ୍ୟକ୍ଷେତ୍ରରେ ନୂତନ ସମୀକରଣ ସୃଷ୍ଟି କରିଥିଲା । କର୍ମଚ଼ାରୀଙ୍କ ମଧ୍ୟରେ ସର୍ଜନଶୀଳ ଓ ସାଧାରଣ ଦୁଇଗୋଟି ପର୍ଯ୍ୟାୟର ପ୍ରତିଭା ସାମିଲ ହୋଇଥିଲେ।



ନିଯୁକ୍ତିଯୋଗ୍ୟ ଶିକ୍ଷାନବୀଶ ପ୍ରସ୍ତୁତିରେ ରାଜ୍ୟର ସାଂବାଦିକତା ଓ ଗଣଯୋଗାଯୋଗ ଶିକ୍ଷାୟତନଗୁଡ଼ିକ ବହୁବିଧ ସମସ୍ୟାର ଘେରରେ ଅସହାୟ । ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ଶିକ୍ଷକଙ୍କ ଅନୁପସ୍ଥିତି, ସମସାମୟିକ ଗଣମାଧ୍ୟମର ଆବଶ୍ୟକତାଠାରୁ ବହୁଦୂରର ପାଠ୍ୟକ୍ରମ, ଅଭ୍ୟାସଲାଗି ପ୍ରୟୋଗଶାଳା ତଥା ସେଗୁଡ଼ିକ ଚଳାଇବାଲାଗି ବୈଷୟିକ ଜ୍ଞାନ ସଂପନ୍ନ ପ୍ରଶିକ୍ଷକଙ୍କ ଅଭାବ ଇତ୍ୟାଦି ଲାଗି ରହିଛି । ଫଳରେ ଦୃତ ପରିବର୍ତ୍ତନଶୀଳ ଗଣଯୋଗାଯୋଗ ଓ ମନୋରଞ୍ଜନ ଶିଳ୍ପର ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ଉଚ଼ିତ ତାଲିମର ବ୍ୟବସ୍ଥା ସମ୍ଭବପର ହୋଇପାରୁ ନାହିଁ ।


 

ସମସାମୟିକ ଶିକ୍ଷାକ୍ରମ ଓ ଶିକ୍ଷାୟତନଗୁଡ଼ିକରେ ଅନୁସୃତ ପ୍ରଣାଳୀରେ ଗଣମାଧ୍ୟମ ଅଧ୍ୟୟନଭିତ୍ତିକ ବା ଏକାଡ଼େମିକ ବିଦ୍ୟାର୍ଥୀ ବ୍ୟତୀତ ନିଯୁକ୍ତିଯୋଗ୍ୟ ଶିକ୍ଷାନବୀଶ ପ୍ରସ୍ତୁତି କାର୍ଯ୍ୟ ତୁଲାଯାଇ ପାରୁ ନଥିବା ଦେଖାଯାଉଛି । ରାଜ୍ୟରେ ସରକାରୀ ପ୍ରତିଷ୍ଠାନଗୁଡ଼ିକ ସାଙ୍ଗକୁ ବହୁସଂଖ୍ୟକ ବେସରକାରୀ ଶିକ୍ଷାୟତନ ଗଢ଼ି ଉଠିଥିଲେ ମଧ୍ୟ ଶିକ୍ଷାକ୍ରମ ପ୍ରସ୍ତୁତିରେ ସରକାରୀ ଢ଼ାଞ୍ଚା ପ୍ରତି ନିର୍ଭରଶୀଳତା ତଥା ନିଜସ୍ୱ ପ୍ରଚ଼େଷ୍ଟାରେ ଅବହେଳା ଉନ୍ନତମାନର ଶିକ୍ଷାଦାନରେ ବାଧକ ସାଜୁଛି ।


 

ସାମ୍ୱାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମଗୁଡ଼ିକରେ ସୃଜନଶୀଳ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କ ପ୍ରବେଶ ଅଭାବକୁ ମୁଖ୍ୟ ସମସ୍ୟା ରୂପେ ଚ଼ିହ୍ନଟ କରାଯାଉଥିବା ହେତୁ ଏହାର ସମାଧାନ ଦିଗରେ ଉଦ୍ୟମ ଜରୁରୀ । ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ନିଯୁକ୍ତିଯୋଗ୍ୟ ପ୍ରତିଭା ପ୍ରସ୍ତୁତି ନିମନ୍ତେ ଆନୁଷ୍ଠାନିକ କିମ୍ୱା ଅଣଆନୁଷ୍ଠାନିକସ୍ତରରେ ଦୀର୍ଘକାଳ ତାଲିମ ଆବଶ୍ୟକ । ଉଦାହରଣ ସ୍ୱରୂପ ଭାଷା ଜ୍ଞାନରେ ଦକ୍ଷତା, ଅର୍ଥାତ ଭଲ ଲେଖାଲେଖି ଅଭ୍ୟାସ ତଥା କଳା ଓ ସଂସ୍କୃତି ବିଷୟରେ ଗଭୀର ଉପଲବ୍ଧି ବର୍ଷେ ବା ଦୁଇ ବର୍ଷର ସ୍ନାତକୋତ୍ତର ଶିକ୍ଷାକ୍ରମ ଅବଧିରେ ସମ୍ଭବପର ନୁହ । ମାଧ୍ୟମିକସ୍ତରରୁ ଏ ଦିଗରେ ରୁଚି ରଖୁଥିବା ପ୍ରତିଭାମାନଙ୍କୁ ଚ଼ିହ୍ନଟ କରାଯାଇ ଉଚ଼ିତ ଦିଗଦର୍ଶନର ବ୍ୟବସ୍ଥା କରାଯାଇପାରିଲେ ସୁଫଳ ମିଳି ପାରିବ । ସବୁ ଭଲ ଲେଖକ ବିଦ୍ୟାଳୟସ୍ତରରେ ହିଁ ଲେଖାଲେଖିରେ ଯତ୍ନଶୀଳ ହୋଇଥିବା ଏଥିଲାଗି ପ୍ରକୃଷ୍ଟ ଉଦାହରଣ ।


 

ବିଗତ ଦିନରେ ମାଧ୍ୟମିକସ୍ତରରେ ଛାତ୍ରଛାତ୍ରୀମାନେ ଗଳ୍ପ, ଉପନ୍ୟାସ ପଠନ ଓ ଅଭିନୟ, କବିତା ରଚ଼ନା ଭଳି କଳାତ୍ମକ ସଉକରେ ଅଭ୍ୟସ୍ତ ହୋଇପଡୁଥିଲେ । ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନିୟମିତ ଗ୍ରନ୍ଥାଗାର ପୁସ୍ତକ ପଢୁଥିଲେ, ହାତଲେଖା ପତ୍ରିକା ପ୍ରକାଶ କରୁଥିଲେ କିମ୍ୱା ବାର୍ଷିକ ନାଟକ ମଞ୍ଚସ୍ଥ କରାଉଥିଲେ । ବିଭିନ୍ନ କାରଣରୁ ଯଦି ବର୍ତ୍ତମାନ ତାହା ଏକକ ବିଦ୍ୟାଳୟସ୍ତରରେ ସମ୍ଭବପର ହୋଇପାରୁନାହିଁ ତେବେ ଆଧୁନିକ ଅନ-ଲାଇନ ବ୍ୟବସ୍ଥାରେ ବହୁ ବିଦ୍ୟାଳୟର ଆଗ୍ରହୀ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଖୋଜିବାହାର କରି ସମଗ୍ର ରାଜ୍ୟସ୍ତରରେ ମଞ୍ଚ ଗଢ଼ିତୋଳି କାର୍ଯ୍ୟକ୍ଷମ କରାଇବା ସାମାନ୍ୟ ବ୍ୟୟରେ ସମ୍ଭବପର । ଏ ଦିଗରେ ସରକାରୀ କାର୍ଯ୍ୟକ୍ରମ ପ୍ରାୟୋଜନ ସମୟସାପେକ୍ଷ ମନେ ହେଉଥିବା ହେତୁ ବେସରକାରୀସ୍ତରରେ ଉଦ୍ୟମ କରାଯାଇପାରେ । ମୁଖ୍ୟତଃ ସମ୍ୱାଦ, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ପ୍ରତିଭାଧରଙ୍କୁ ଭବିଷ୍ୟତରେ ନିଯୁକ୍ତିକ୍ଷେତ୍ରରେ ଆବଶ୍ୟକ କରୁଥିବାହେତୁ ସେମାନଙ୍କ ପକ୍ଷରୁ ଏକକ କିମ୍ୱା ସାମୂହିକଭାବେ ଉଦ୍ୟମ କରାଯାଇପାରେ ।


 

ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଚୟସ-ବେସଡ଼-କ୍ରେଡ଼ିଟ-ସିଷ୍ଟମରେ ସ୍ନାତକସ୍ତରରେ ସାମ୍ୱାଦିକତା, ସୃଜନ ଲିଖନକୁ ବିଷୟଭୁକ୍ତ କରାଯାଉଛି । କିନ୍ତୁ ଏଥିପାଇଁ ଆବଶ୍ୟକୀୟ ପାଠ୍ୟକ୍ରମ, ପାଠ୍ୟ କିମ୍ୱା ଶିକ୍ଷକ ତାଲିମର ବ୍ୟବସ୍ଥା ନାହିଁ । ଫଳରେ ଏଭଳି ଉଦ୍ୟମ ପ୍ରତିଭା ଗଠନରେ ସହାୟକ ହେବା ସମ୍ଭବପର ନୁହେଁ । ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବଜନିତ ପରିବେଶ ଏଡ଼ାଇବା ନିମନ୍ତେ ରାଜ୍ୟସ୍ତରରେ ଅନ-ଲାଇନରେ ଆନୁସାଙ୍ଗିକ ଶିକ୍ଷା ସହାୟତା ଯୋଗାଇ ପାଠ୍ୟକ୍ରମଗୁଡ଼ିକୁ ଆକର୍ଷଣୀୟ କରାଯାଇପାରେ ।


 

ରାଜ୍ୟର ପୁରପଲ୍ଲୀରେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ସୃଜନ ପ୍ରତିଭାଧରଙ୍କୁ ଚ଼ିହ୍ନଟ କରାଇବା ନିମନ୍ତେ ବିଭିନ୍ନ ଯୋଜନା ପରିକଳ୍ପନା କରାଯାଇପାରେ । ପ୍ରତିଭା ଚୟନ ଶିବିର ଆୟୋଜନକୁ ଏକ ଉଦାହରଣରୂପେ ଗ୍ରହଣ କରାଯାଇପାରେ । ୨୦୧୭ ଡ଼ିସେମ୍ୱର ଦ୍ୱିତୀୟ ସପ୍ତାହରେ କୋଲକତାର ଇଣ୍ଡିଆନ ଇନଷ୍ଟିଟିଉଟ୍ ଅଫ ସାଇନ୍ସ ଏଜୁକେସେନ ଏଣ୍ଡ ରିସର୍ଚ୍ଚ ପକ୍ଷରୁ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ବିଜ୍ଞାନ ପ୍ରତି ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ଗବେଷଣା ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ତିନିଦିନିଆ ଶିବିର ଆୟୋଜନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପ୍ରଣୀତ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନାରେ ସାମିଲ କରାଇବା ନିମନ୍ତେ ପ୍ରତିଭା ଚୟନ ଲାଗି ଏହା ଭିତ୍ତିଭୂମି ସୃଷ୍ଟି ଲାଗି ଅଭିପ୍ରେତ ଥିଲା । ଓଡ଼ିଶାର ପୁରପଲ୍ଲୀରୁ ଗଣମାଧ୍ୟମ ଓ ମନୋରଞ୍ଜନରେ ରୁଚ଼ି ରଖୁଥିବା ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ବ୍ୟବସ୍ଥା ଅନୁକରଣ ସହଜ ମନେ ହୁଏ ।


 

ମାଧ୍ୟମିକ ସ୍ତରରେ ପ୍ରତିଭା ଚ଼ିହ୍ନଟ ହୋଇ ପାରିଲେ ପରବର୍ତ୍ତୀ ପାଞ୍ଚରୁ ସାତ ବର୍ଷ ଯାଏଁ ପ୍ରାରମ୍ଭିକ ଓ ସ୍ନାତକ ଶ୍ରେଣୀ ଅଧ୍ୟୟନ କାଳରେ ଅନ-ଲାଇନରେ ସେମାନଙ୍କୁ ଆବଶ୍ୟକୀୟ ଦିଗଦର୍ଶନ ଦିଆଯାଇ ପାରିବ । ସୃଜନଶୀଳତା ବିକାଶରେ ବିଦ୍ୟାର୍ଥୀଙ୍କ ନିଜସ୍ୱ ଉଦ୍ୟମ ୯୫ ପ୍ରତିଶତ ଓ ଦିଗଦର୍ଶନ ୫ ପ୍ରତିଶତରେ ଆବଦ୍ଧ ରହୁଥିବା ହେତୁ ଏ ଦିଗରେ ସାମାନ୍ୟ ପ୍ରୋତ୍ସାହନ ଅଣଆନୁଷ୍ଠାନିକସ୍ତରରେ ଅଧ୍ୟୟନପୂର୍ବ-ପ୍ରସ୍ତୁତିରେ ସହାୟକ ହୋଇପାରିବ ବୋଲି ବିଶ୍ୱାସ କରାଯାଇପାରେ ।


 

ମାଧ୍ୟମିକସ୍ତରରେ ୮ମ, ୯ମ ଓ ୧୦ମ ଶ୍ରେଣୀର ସାହିତ୍ୟ, କଳା ଓ ସଂସ୍କୃତିରେ ରୁଚ଼ି ରଖୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିଭା ଚ଼ୟନ ଶିବିର ତଥା ଆନୁସଙ୍ଗିକ କାର୍ଯ୍ୟକ୍ରମ ମାଧ୍ୟମରେ ଚ଼ିହ୍ନଟ କରାଯାଇ ପ୍ରାରମ୍ଭିକ ଓ ସ୍ନାତକସ୍ତରରେ ଅନଲାଇନ ଦିଗଦର୍ଶନ ଦିଆଯିବା ଲାଗି ପରିକଳ୍ପନା ଓଡ଼ିଆ ସାମ୍ୱାଦିକତା ବିକାଶଲାଗି ଉପଯୁକ୍ତ ପ୍ରତିଭା ଗଢ଼ିତୋଳିବା ପ୍ରୟାସ ଯୁକ୍ତିଯୁକ୍ତ ମନେ ହୁଏ ।ଏଥିସହ ମାଧ୍ୟମିକ, ପ୍ରାରମ୍ଭିକ, ସ୍ନାତକ ଓ ସ୍ନାତକୋତ୍ତରସ୍ତରରେ ପ୍ରଚଳିତ ଢ଼ାଞ୍ଚାରେ ସୃଷ୍ଟ ସାମ୍ୱାଦିକତା ଓ ସୃଜନ ରଚନା ପାଠ୍ୟକ୍ରମକୁ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରିପୃଷ୍ଟ କରିବା ନିମନ୍ତେ ଉଦ୍ୟମ ଅନିର୍ବାଯ୍ୟ । ରାଜ୍ୟର ବିସ୍ତୃତି ଓ ବିଚ୍ଛୁରିତ ଶିକ୍ଷାନୁଷ୍ଠାନ ଅବସ୍ଥିତି କାରଣରୁ ଅନଲାଇନ ଉଦ୍ୟମକୁ ପ୍ରାଥମିକତା ଦିଆଗଲେ ଅଳ୍ପ ସମୟ, କମ ବ୍ୟୟ ଓ ହାତଗଣତି ପ୍ରତିଭା ଉପଯୋଗରେ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ପ୍ରଯୋଜନା ସଂଭବପର ।

 

ଓଡ଼ିଶା ସାମ୍ୱାଦିକତାର ଗୁଣବତ୍ତା ବିକାଶକ୍ଷେତ୍ରରେ ରୁଚ଼ି ରଖୁଥିବା ନାଗରିକଙ୍କ ମଧ୍ୟରେ ଏଭଳି ପ୍ରସ୍ତାବ ସଂପର୍କରେ ବିଚ଼ାରବିମର୍ଷ ଆବଶ୍ୟକ ।           


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଡ଼ିସେମ୍ୱର ୨୦୧୭

କାର୍ଯ୍ୟରତ ସାମ୍ୱାଦିକଙ୍କୁ ତାଲିମ

ସାମ୍ୱାଦିକତାରେ ଉତ୍କର୍ଷତା ବିକାଶ ଲାଗି ଉଭୟ ମୁକ୍ତବୃତ୍ତି ଓ କର୍ମଜୀବୀ ସାମ୍ୱାଦିକଙ୍କ ନିମନ୍ତେ ନିରନ୍ତର କଳାକୌଶଳ ଆହରଣ ସପକ୍ଷରେ ବିଶ୍ୱବ୍ୟାପୀ ଗଣମାଧ୍ୟମ ତତ୍ତ୍ୱବିତମାନେ ଗୁରୁତ୍ୱାରୋପ କରିଆସିଛନ୍ତି । ଆଧୁନିକ ପରିବେଶରେ ଗଣମାଧ୍ୟମ ଗଣତାନ୍ତ୍ରିକ ମୂଲ୍ୟବୋଧର ଭିତ୍ତିଭୂମି ଗଠନରେପ୍ରଭାବଶାଳୀ ଭୂମିକା ଗ୍ରହଣ କରୁଥିବା ହେତୁ ନିକୃଷ୍ଟ ପର୍ଯ୍ୟାୟରେ ସାମ୍ୱାଦିକତା ସାମାଜିକ ଅନିଷ୍ଟର କାରଣ ପାଲଟିଥାଏ ।ଅପରପକ୍ଷେ ସାମ୍ୱାଦିକତାରେ ମାନବୃଦ୍ଧି ଜାତୀୟ ଜୀବନ ପରିପୃଷ୍ଟିରେ ସହାୟକ ହୁଏ ।


 

ଆମ ଦେଶର ସାମ୍ୱାଧାନିକ ବ୍ୟବସ୍ଥାରେ ଅଭିବ୍ୟକ୍ତିର ସ୍ୱାଧୀନତା ନାଗରିକଙ୍କ ମୌଳିକ ଅଧିକାର ପର୍ଯ୍ୟାୟଭୁକ୍ତ ହୋଇଥିବା ତଥା ଗଣମାଧ୍ୟମ ଉତ୍ପାଦ ପ୍ରଯୋଜନା ଓ ପ୍ରସାର ଲାଗି ଶାସନତାନ୍ତ୍ରିକ ଆଙ୍କୁଶ ନଥିବା ହେତୁ ସାମ୍ୱାଦିକତା ମୂଲ୍ୟବୋଧର ପରିଚିତି ଅଭାବ ଅନେକ କ୍ଷେତ୍ରରେ ସାମ୍ୱାଦିକତା ଅବକ୍ଷୟର କାରଣ ରୂପେ ଚ଼ିହ୍ନଟ କରାଯାଏ । ଶିକ୍ଷାଦୀକ୍ଷାର ସୀମିତ ପ୍ରସାର ଓ ଦୁର୍ବଳ ଅର୍ଥନୀତି କାମଳ ସାମ୍ୱାଦିକତା ପ୍ରସାରରେ ସହାୟକ ହୋଇଥାଏ । ଏହି ପରିପ୍ରେକ୍ଷୀରେ ମୁଖ୍ୟତଃ ସାଧାରଣ ବର୍ଗର ଗଣମାଧ୍ୟମ ବା ‘ମେନଷ୍ଟ୍ରୀମ ମିଡ଼ିଆ’ରେ ସଂପୃକ୍ତ ସାମ୍ୱାଦିକଙ୍କୁ ସାମୟିକ ତାଲିମ ଏକ ଜରୁରୀ ଆବଶ୍ୟକତା ।


 

ପାରମ୍ପରିକଭାବେ ସାମ୍ୱାଦିକତା ସୃଜନଶୀଳ । ତେବେ ପରବର୍ତ୍ତୀକାଳରେ ଏହାର ସାମାଜିକ ଭୂମିକାରେ ପ୍ରଭାବିତ ହୋଇ ଅନେକେ ନିଜକୁ ସାମ୍ୱାଦିକତାରେ ନିୟୋଜିତ କରୁଥିବା ଦେଖିବାକୁ ମିଳେ । ଗଣମାଧ୍ୟମର ବ୍ୟାପ୍ତିକୁ ଆୟୁଧ କରି ସାମ୍ୱାଦିକତାକୁ ଏକ ବୃତ୍ତିରୂପେ ମଧ୍ୟ କେତେକେ ଗ୍ରହଣ କରିନେଇଥାନ୍ତି । ଅନୁଧ୍ୟାନ କଲେ ସୃଜନଶୀଳ ସାମ୍ୱାଦିକମାନେ ବ୍ୟକ୍ତିଗତ ଅନୁସୃଜନ ‘କ୍ରିଏଟିଉଭ ଇମିଟେସନ’ ଧାରାରେ ଅନେକ କଳାକୌଶଳ ଆହରଣ କରୁଥିବା ସ୍ଥଳେ ଉପରଲିଖିତ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସୃଜନବିହୀନ ସାମ୍ୱାଦିକଙ୍କ ପାଇଁ ସାମ୍ୱାଦିକତା ଶିକ୍ଷାଲାଭ ନିମନ୍ତେ କୌଣସି ସୁବିଧା ସୁଯୋଗ ଉପଲବ୍ଧ ନଥାଏ । ସମକାଳରେ ଗଣମାଧ୍ୟମରେ ସେମାନଙ୍କ ସଂଖ୍ୟା ଅଧିକ ଆକଳନ କରାଯାଉଥିବା ହେତୁ ସାମ୍ୱାଦିକତା ତାଲିମର ଗୁରୁତ୍ୱ ବଢ଼ିଯାଉଛି ।


 

ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକ ଚ଼ିହ୍ନଟ ପ୍ରକ୍ରିୟା ଦୀର୍ଘଦିନରୁ ଚ଼ାଲିଥିଲା । ୨୦୧୮ ଜୁନମାସ ସୁଦ୍ଧା ୩,୨୩୩ ଜଣ କାର୍ଯ୍ୟରତ ସାମ୍ୱାଦିକଙ୍କୁ ଚ଼ିହ୍ନଟ କରାଯାଇ ସେମାନଙ୍କୁ ଏକ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିସହ ମୃତ୍ୟୁକାଳୀନ ସହାୟତା, ଗୃହ ଓ ଯାନବାହାନ ଖରିଦଜନିତ ଋଣ ଉପରେ ସୁଧ ସହାୟତା ସହ ସାମ୍ୱାଦିକତା ତାଲିମ ବ୍ୟବସ୍ଥା କରାଯିବା କଥା ଘୋଷିତ ହୋଇଛି । ସରକାରଙ୍କ ପକ୍ଷରୁ ସାମ୍ୱାଦିକ କଲ୍ୟାଣ କ୍ଷେତ୍ରରେ ଏହା ଯେ ଏକ ଉଲ୍ଲେଖନୀୟ ପଦକ୍ଷେପ ଏଥିରେ ସନ୍ଦେହ ନାହିଁ ।


 

ରାଜ୍ୟ ସରକାରଙ୍କ ସୂଚ଼ନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ସାମ୍ୱାଦିକମାନଙ୍କୁ ବୃତ୍ତିଗତ ପ୍ରଶିକ୍ଷଣ ଦେବା ପାଇଁ ସରକାର ସହାୟତା ଯୋଗାଇଦେବେ । ଢେଙ୍କାନାଳସ୍ଥିତ ଅଖିଳ ଭାରତୀୟ ଜନସଂଚ଼ାର ସଂସ୍ଥା ଭଳି ରାଜ୍ୟରେ କାର୍ଯ୍ୟରତ ପ୍ରତିଷ୍ଠାନଗୁଡ଼ିକରେ ୨୫ ରୁ ୩୫ ଜଣ ସାମ୍ୱାଦିକଙ୍କୁ ତିନିଦିନିଆ, ସପ୍ତାହ କିମ୍ୱା ଦୁଇ ସପ୍ତାହ ଅବଧିର ତାଲିମ ଦିଆଯିବ । ସରକାର ଏ ବାବଦରେ ପାଞ୍ଚ ବର୍ଷ ମଧ୍ୟରେ ପ୍ରତି ସାମ୍ୱାଦିକଙ୍କ ପିଚ୍ଛା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ ।


 

ତାଲିମ ପ୍ରଯୋଜନାର ବିସ୍ତୃତ ବିବରଣୀ ବିଜ୍ଞପ୍ତିରେ ସ୍ଥାନପାଇନାହିଁ । ତେବେ ପର୍ଯ୍ୟାୟକ୍ରମେ ତିନିଦିନିଆ, ସପ୍ତାହ କିମ୍ୱା ଦୁଇ ସପ୍ତାହ ବ୍ୟାପୀ ତାଲିମ ଶିବିର ଆୟୋଜନ କରାଯିବା ଏବଂ ପ୍ରତି ଶିବିରରେ ୨୫ ରୁ ୩୫ ଜଣ ସାମ୍ୱାଦିକ ଅଂଶଗ୍ରହଣ କରିବା ଆଶା କରାଯାଇପାରେ । ଏଭଳି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ସାପ୍ତାହକେ ପାଞ୍ଚ କାର୍ଯ୍ୟଦିବସ ଲାଗି ଆବାସିକ ତାଲିମ ବାବଦରେ ଦୈନିକ ହଜାରେ ଟଙ୍କା ଖର୍ଚ୍ଚ ହେଲେ ସାମ୍ୱାଦିକ ପିଛା ସର୍ବାଧିକ ଦୁଇ ସପ୍ତାହର ତାଲିମ ନିମନ୍ତେ ସରକାରୀ ଘୋଷିତ ଦଶ ହଜାର ଟଙ୍କା ଖର୍ଚ୍ଚ ଭରଣା ହୋଇପାରିବ । ପାଞ୍ଚ ବର୍ଷ ମଧ୍ୟରେ ଜଣେ ସାମ୍ୱାଦିକ ତିନି ଦିନିଆ ତିନିଗୋଟି, ପାଞ୍ଚ ଦିନିଆ ସାପ୍ତାହିକ ଦୁଇଗୋଟି କିମ୍ୱା ଦଶ ଦିନିଆ ଦୁଇ ସପ୍ତାହର ଗୋଟିଏ ତାଲିମ ଗ୍ରହଣ କରିପାରିବେ ।


 

କାର୍ଯ୍ୟକାରୀ ସାମ୍ୱାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ୨୦୧୮ ଜୁନ ପହିଲାରୁ ଲାଗୁ ହୋଇଥିବା ସ୍ଥଳେ ତାଲିମ ସମେତ ଅନ୍ୟ ସୁବିଧାଗୁଡ଼ିକ ତୁରନ୍ତ ଲାଗୁ କରାଯିବା ନିମନ୍ତେ ସରକାରୀଭାବେ ନିଷ୍ପତି ଗୃହୀତ ହୋଇଛି । ତେବେ ପ୍ରଚଳିତ ଅମଳାତାନ୍ତ୍ରିକ ପଦ୍ଧତିରେ ତାଲିମ କେବେ ଆରମ୍ଭ ହେବ ତାହା ଅନୁମାନ କରିବା ସମ୍ଭବପର ନଥିବା ସ୍ଥଳେ ତାଲିମ-ପୂର୍ବ କେତେଗୋଟି କାର୍ଯ୍ୟକ୍ରମ ସଂପର୍କରେ ବିଚ଼ାରବିମର୍ଷ ଜରୁରୀ ।


 

ପ୍ରଥମତଃ ଓଡ଼ିଶାର କାର୍ଯ୍ୟରତ ସାମ୍ୱାଦିକମାନଙ୍କ ଦକ୍ଷତା ଓ ତାଲିମ ଆବଶ୍ୟକତା ସଂପର୍କରେ ଏଯାଏଁ ବିସ୍ତୃତ ଅଧ୍ୟୟନ ହୋଇନାହିଁ । ବିଧିବଦ୍ଧଭାବେ ତାଲିମ ପାଠ୍ୟକ୍ରମ ପ୍ରଯୋଜନା ପୂର୍ବରୁ ସମକାଳରେ ସେମାନଙ୍କ ଆଗ୍ରହ ଓ ବୃତ୍ତିଗତ ଆବଶ୍ୟକତା ସଂପର୍କରେ ସର୍ବେକ୍ଷଣ ‘ନିଡ଼ ଏସେସମେଣ୍ଟ ସର୍ଭେ’ ଆବଶ୍ୟକ । ଏଥିରୁ ଉପଲବ୍ଧ ତଥ୍ୟ ଶିବିର ଆୟୋଜନରେ ସହାୟକ ହେବ ଏବଂ ଆବଶ୍ୟକତାକୁ ନପରଖି ଏକତରଫା ପାଠ୍ୟକ୍ରମ ପ୍ରଯୋଜନା ନିରର୍ଥକ ସାବ୍ୟସ୍ତ ହେବା ବିପଦ ରହିଛି ।


 

ଦ୍ୱିତୀୟତଃ ତିନିଗୋଟି ଅବଧିର ତାଲିମ ଶିବିର ନିମନ୍ତେ ପାଞ୍ଚ ବର୍ଷ ବ୍ୟାପୀ ଆନୁଷ୍ଠାନିକ ସାମ୍ୱାଦିକତା ତାଲିମ ଭଳି ଏକକ ପାଠ୍ୟ ଖସଡ଼ା ନିର୍ଦ୍ଧାରଣ ନ କରାଯାଇ ସାଧ୍ୟମତେ ପାଠଚ଼କ୍ର ଆଙ୍ଗୀକରେ ବିଷୟଭିତ୍ତିକ ବିବିଧତା ସନ୍ନିବସିତ ହେଉ । ଉଦାହରଣ ସ୍ୱରୂପ ତିନିଦିନିଆ ତାଲିମ ଶିବିର ନିମନ୍ତେ କେବଳ ସାମ୍ୱାଦିକତା ସଂପର୍କୀତ ମୌଳିକ ସୂଚ଼ନାରେ ପାଠ୍ୟକ୍ରମ ସୀମାବଦ୍ଧ ନରଖି ସମ୍ୱାଦ ରଚ଼ନାର ବିଭିନ୍ନ ବିଭବ, ଯଥା : ଅନୁସନ୍ଧାନାତ୍ମକ ସାମ୍ୱାଦିକତା‘ଇନଭେଷ୍ଟଗେଟିଭ ଜର୍ଣ୍ଣାଲିଜମ’, ପରିସଂଖ୍ୟାନଭିତ୍ତିକ ସାମ୍ୱାଦିକତା ‘ଡ଼ାଟା ଜର୍ଣ୍ଣାଲିଜିମ’ କିମ୍ୱା ସାଂବାଦିକତାରେ ନୈତିକତା ‘ଜର୍ଣ୍ଣାଲିଷ୍ଟିକ୍ ଏଥିକ୍ସ’ ଭଳି ପାଠ୍ୟକ୍ରମ ଆୟୋଜନ କରାଯାଇପାରିଲେ କାର୍ଯ୍ୟରତ ସାମ୍ୱାଦିକମାନେ ବୃତ୍ତିଗତ ଦକ୍ଷତା ବୃଦ୍ଧି ଲାଗି ତାଲିମ ଗ୍ରହଣ ନିମନ୍ତେ ଆଗ୍ରହ ପ୍ରକାଶ କରିବେ ଏବଂ ପ୍ରକାରନ୍ତେ ଏହା ଓଡ଼ିଆ ସାମ୍ୱାଦିକତାର ଉତ୍କର୍ଷତା ବିକାଶରେ ସହାୟକ ହୋଇପାରିବ । ଯୁକ୍ତରାଷ୍ଟ୍ର ଆମେରିକାର ପଏଣ୍ଟର ଇନଷ୍ଟିଟିଉଟ, ମିଡ଼ିଆସିଫଟ ଭଳି ଅନୁଷ୍ଠାନଗୁଡ଼ିକରେ ପ୍ରବର୍ତ୍ତିତ ସାମ୍ୱାଦିକତା ତାଲିମ ମଡ଼େଲ ଏହି କ୍ଷେତ୍ରରେ ଉଦାହରଣ ରୂପେ ଗ୍ରହଣ କରାଯାଇପାରେ ।


 

ତୃତୀୟତଃ ପାଠ୍ୟକ୍ରମ ‘କୋର୍ସେସ ଅଫ ଷ୍ଟଡ଼ିଜ’ ଓ ପଠନ ସାମଗ୍ରୀ ‘କୋର୍ସ କଣ୍ଟେଣ୍ଟ’ ଅନୁଭବୀ ସାମ୍ୱାଦିକତା ପ୍ରଶିକ୍ଷକଙ୍କ ସହମତିରେ ନିର୍ଦ୍ଧାରିତ ହେଉ । କାର୍ଯ୍ୟରତ ମଧ୍ୟବୟସ୍କ ସାମ୍ୱାଦିକମାନଙ୍କ ନିମନ୍ତେ ଭାଷଣଭିତ୍ତିକ ‘ଲେକଚ଼ର ଓରିଏଣ୍ଟେଡ଼’ତାଲିମ ବଦଳରେ ଆଲୋଚ଼ନାଭିତ୍ତିକ ‘ଡ଼ିସକସନ ଓରିଏଣ୍ଟେଡ଼’ ତଥା ଆଭ୍ୟାସଧର୍ମୀ ‘ଏକସସାଇଜ ଏଡ଼େଡ଼’ ତାଲିମ ପଦ୍ଧତି ଉଚ଼ିତ ମନେହୁଏ । ଏଥି ନିମନ୍ତେ ପଠନ ସାମଗ୍ରୀ ପ୍ରସ୍ତୁତି ସମୟ ସାପେକ୍ଷ ଓ ବ୍ୟୟବହୁଳ । ତେବେ ଥରୁଟିଏ ମାତ୍ର ପ୍ରସ୍ତୁତ ଖସଡ଼ା ଓ ସାମଗ୍ରୀ ଦୀର୍ଘଦିନ ବ୍ୟାପୀ ବ୍ୟବହୃତ ହୋଇପାରିବ ଏବଂ ତାଲିମ ଗୁଣବତ୍ତା ବିକାଶରେ ସହାୟକ ହେବ।


 

ଚ଼ତୁର୍ଥତଃ ପ୍ରସ୍ତାବିତ ସାମ୍ୱାଦିକତା ତାଲିମ ଗ୍ରହଣ ନିମନ୍ତେ ପ୍ରାର୍ଥୀମାନଙ୍କଠାରୁ ଯତକିଞ୍ଚିତ ଦେୟ ଗ୍ରହଣ ପ୍ରାବଧାନ ରଖିବା ବିଧେୟ । ସଂପୂର୍ଣ୍ଣ ମାଗଣାରେ ତାଲିମ ପ୍ରଦାନ କରାଗଲେ ଶିକ୍ଷାର୍ଥୀମାନଙ୍କ ଆଗ୍ରହ ହାନୀ ଘଟିଥାଏ । ଏହା ବହୁ ଅଧ୍ୟୟନରେ ନିକଟ ଅତୀତର ଅନଲାଇନ ମୁକ୍ତ ପାଠ୍ୟକ୍ରମ ‘ଏମଓ ଓସି’ଉଦାହରଣରୁ ପ୍ରମାଣିତ ହୋଇଛି ।


 

ପଞ୍ଚମତଃ ୨୦୧୮ରେ ଆରମ୍ଭ କରାଯାଉଥିବା ୨୦୨୩ ଯାଏଁ ପାଞ୍ଚ ବର୍ଷ ବ୍ୟାପୀ ବୃତ୍ତିଧାରୀ ସାମ୍ୱାଦିକମାନଙ୍କ ନିମନ୍ତେ ଏକ ପାଠ୍ୟକ୍ରମ ପରିକଳ୍ପନାରେ ଅନଲାଇନ ତାଲିମ ବ୍ୟବସ୍ଥାକୁ ଏଡ଼ାଇ ଦେବା ଭବିଷ୍ୟତରେ ଏକ ଗୁରୁତର ତୃଟି ବିବେଚ଼ିତ ହେବ । ବିଭିନ୍ନ ଦିଗରୁ ଅନଲାଇନ ପରିବେଶ ବୃତ୍ତିଧାରୀଙ୍କ ନିମନ୍ତେ ସୁବିଧାପ୍ରଦ ହେବା ସାଙ୍ଗକୁ ଜୀବନବ୍ୟାପୀ ଶିକ୍ଷା ‘ଲାଇଫ ଲଙ୍ଗ ଲେରନିଂ’ରେ ସହାୟକ ହେବ ।୨୦୨୨ ସୁଦ୍ଧା ଗଣମାଧ୍ୟମର ପ୍ରମୁଖ ବିଭାଗ ଡ଼ିଜିଟାଲ ଉପକ୍ରମରେ ପରିବର୍ତ୍ତିତ ହେବା ନିଶ୍ଚିତ ଥିବା ସ୍ଥଳେ ଅନଲାଇନ ଉପସ୍ଥିତି ବିନା ସାମ୍ୱାଦିକମାନେ ଆଉ କାର୍ଯ୍ୟରତ ହେବା ସମ୍ଭବପର ହେବ ନାହିଁ । ତେଣୁ ଏଭଳି ନୂତନ ପରିବେଶରେ ସେମାନଙ୍କୁ ଖାପଖୁଆଇବାକୁ ହିଁ ପଡ଼ିବ ଏବଂ ଏହା ସେମାନଙ୍କ ନିଯୁକ୍ତି ସୁରକ୍ଷିତ ରଖିବାରେ ଯେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ । ଅତଏବ  ତାଲିମ ପ୍ରକଳ୍ପ ଆରମ୍ଭରୁ ଡ଼ିଜିଟାଲ ଶିକ୍ଷାକ୍ରମ ନିମନ୍ତେ ମନୋନିବେଶ କରିବାକୁ ପଡ଼ିବ ।


 

ସରକାରୀ ସହାୟତାରେ କାର୍ଯ୍ୟରତ ସାମ୍ୱାଦିକଙ୍କ ନିମନ୍ତେ ପ୍ରସ୍ତାବିତ ତାଲିମ ବହୁ ବାଧାବିଘ୍ନ ସାମ୍ନା କରିବାକୁ ପଡ଼ିପାରେ । ପ୍ରଶ୍ନ ଉଠିବ ପାଞ୍ଚରୁ ଦଶବର୍ଷ କିମ୍ୱା ତତୋଧିକ ବର୍ଷ ଧରି ସାମ୍ୱାଦିକତା ବୃତ୍ତିରେ ନିୟୋଜିତ ସାମ୍ୱାଦିକମାନେ ତାଲିମ ନେବାକୁ ଆଗ୍ରହ ପ୍ରକାଶ କରିବେ କି ? ପ୍ରାଥମିକ ପର୍ଯ୍ୟାୟରେ ତାଲିମ ଆବଶ୍ୟକତା ପରଖିବା ପାଇଁ ସମଗ୍ର ୩,୨୩୩ ଚ଼ିହ୍ନଟ ସାମ୍ୱାଦିକଙ୍କ ମଧ୍ୟରେ ସର୍ବେକ୍ଷଣ କରାଗଲେ ଊଣାଅଧିକେ ଏହାର ଉତ୍ତର ମିଳିପାରିବ ଏବଂ ସେମାନଙ୍କ ଆଗ୍ରହ ଅନୁଯାୟୀ ତାଲିମ ଶିବିରମାନ ପ୍ରଯୋଜିତ ହେଲେ ସଂଖ୍ୟାଧିକ ଏଭଳି ସୁବିଧା ସୁଯୋଗ ହାସଲ କରିବା ପାଇଁ ଆଗେଇ ଆସିବେ ବୋଲି ଆଶା କରାଯାଇପାରେ । ସମୟନ୍ତେ ପ୍ରକଳ୍ପ ସମୀକ୍ଷା କରାଯାଇ ଭୁଲଭଟକା ସୁଧରାଯାଇପାରେ ।

 

ପୁଣି ପ୍ରଶ୍ନ ଉଠିପାରେ ପ୍ରସ୍ତାବିତ ସାମ୍ୱାଦିକତା ଶିକ୍ଷାନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ ସୁଚ଼ାରୁରୂପେ ତୁଲାଇ ପାରିବେ କି ? ଏ କଥା ସତ ଯେ ସେହି ଅନୁଷ୍ଠାନରେ ଆନୁସଙ୍ଗିକ ଭିତ୍ତିଭୂମି ରହିଛି ଏବଂ ସେମାନେ ଏଭଳି ତାଲିମ ପ୍ରଦାନ କରୁଛନ୍ତି । ଯଦିଓ ପର୍ଯ୍ୟାପ୍ତ ମାନବସମ୍ୱଳ ନାହାନ୍ତି, ତେବେ ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରତିଭାଧରଙ୍କୁ ନିମନ୍ତ୍ରିତ କରିପାରନ୍ତି । ଅତଏବ ସାମ୍ୱାଦିକତା ବିକାଶ ନିମନ୍ତେ ସରକାରୀ ପ୍ରକଳ୍ପକୁ ବିଭିନ୍ନ ସୂତ୍ରରୁ ଅନ୍ତତଃପକ୍ଷେ ବୌଦ୍ଧିକ ସହାୟତା ଯୋଗାଇ ଦିଆଯାଇପାରିଲେ ଏକ ଉଚ଼ିତ କାର୍ଯ୍ୟଧାରା ବା ‘ମଡ଼େଲ’ ପ୍ରସ୍ତୁତି ସମ୍ଭବପର ବୋଲି ଆଶା କରାଯାଇପାରେ ।           


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଜୁନ ୨୦୧

ସାମ୍ୱାଦିକତା ବିଦ୍ୟାର୍ଥୀ ଆଚ଼ରଣ ସଂହିତା

ସୋସିଆଲ ମିଡ଼ିଆର ପ୍ରସାର ପରେ ସାମ୍ୱାଦିକତା ବୃତ୍ତି ଓ ପ୍ରବୃତ୍ତିର ପରିଧି ଡ଼େଇଁ ଜନଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି । ସ୍ମାର୍ଟଫୋନର ପ୍ରଚଳନ ସାଧାରଣ ନାଗରିକଙ୍କୁ ଦିବାରାତ୍ରୀ ପରସ୍ପର ସହ ଯୋଡ଼ିବା ସଙ୍ଗେ ସମ୍ୱାଦ ସୃଜନ ଓ ବିତରଣ ପ୍ରକ୍ରିୟାରେ ମଧ୍ୟ ସାମିଲ କରିବାରେ ଲାଗିଲା । ସାମାଜିକସ୍ତରରେ ଉଲ୍ଲେଖନୀୟ ଘଟଣାବଳୀ, ଅନୁଭୂତି ଓ ଅଭିମତ ଆଦାନ ପ୍ରଦାନ ମନୁଷ୍ୟର ସହଜାତ ପ୍ରବୃତ୍ତି । ଶିଳ୍ପ ବିପ୍ଳବ ପରବର୍ତ୍ତୀ ଅବସ୍ଥାରେ ଯାନ୍ତ୍ରିକ ପଦ୍ଧତି ଉପଯୋଗରେ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ମାଧ୍ୟମରେ ବୃହତ ଜନସମୁଦାୟରେ ସୃଜନ ପ୍ରସାରଣ ପ୍ରକ୍ରିୟା ଉନ୍ନତ ବୈଷୟିକ କୌଶଳ ଆଶ୍ରିତ ହେବାରୁ ଗଣମାଧ୍ୟମ ବୃତ୍ତିଧାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥିଲା । ଫଳରେ ବୃତ୍ତିଗତ ବା ପ୍ରବୃତ୍ତିଗତଭାବେ ଗଣମାଧ୍ୟମ ସୃଜନରେ ସଂପୃକ୍ତ ହେବା ନିମନ୍ତେ ତାଲିମର ଆବଶ୍ୟକତା ଅନୁଭୂତ ହୋଇଥିଲା ଏବଂ ଉଭୟ ଆନୁଷ୍ଠାନିକ ତଥା ଅଣ-ଆନୁଷ୍ଠାନିକସ୍ତରରେ ପଦ୍ଧତିମାନ ବିକଶିତ ହୋଇଥିଲା ।

 

ସୋସିଆଲ ମିଡ଼ିଆର ଆବିର୍ଭାବ ପ୍ରତ୍ୟେକ ଉପଭୋକ୍ତାଙ୍କୁ ଆହରଣ ସଙ୍ଗେ ବିତରଣର ସୁବିଧାସୁଯୋଗ ଦେଉଥିବା ହେତୁ ବୃତ୍ତିଧାରୀଙ୍କ ଅନୁରୂପ ସାମ୍ୱାଦିକତାର ମୌଳିକ କଳାକୌଶଳ ଓ ନୀତି ନିୟମ ସମସ୍ତ ଉପଭୋକ୍ତାଙ୍କ ପାଇଁ ଆବଶ୍ୟକତାରେ ପରିଣତ ହୋଇଛି । ଫଳରେ ସାମ୍ୱାଦିକତା ବିଦ୍ୟା ଅର୍ଜନ ପାଠ୍ୟକ୍ରମ, ଶିକ୍ଷାନୁଷ୍ଠାନରୁ ସାଧାରଣ ଜୀବନକୁ ସଂପ୍ରସାରିତ ।

 

ପରିବର୍ତ୍ତିତ ପରିବେଶରେ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭ ସୁଦ୍ଧା ସମ୍ୱାଦ ସୃଜନ କ୍ଷେତ୍ରରେ ତିନିବର୍ଗ ନିୟୋଜିତ - ବୃତ୍ତିଧାରୀ ସାମ୍ୱାଦିକ, ପ୍ରବୃତ୍ତିଗତ ମୁକ୍ତ ସାମ୍ୱାଦିକ ଏବଂ ନାଗରିକ ସାମ୍ୱାଦିକ । ବୃତ୍ତିଧାରୀ ସାମ୍ୱାଦିକମାନେ ସାଧାରଣତଃ ଉଚ୍ଚଶିକ୍ଷିତ । ଉଚ୍ଚ ଶିକ୍ଷାନୁଷ୍ଠାନରୁ ସ୍ନାତକ ଉପାଧି ସହ ସାମ୍ୱାଦିକତା ତାଲିମପ୍ରାପ୍ତ । କିଛି ସଂଖ୍ୟକ ପ୍ରବୃତ୍ତିଗତଭାବେ ଅଭିଜ୍ଞତାରୁ ସାମ୍ୱାଦିକତା ଶିକ୍ଷା ଲାଭ କରିଥାନ୍ତି । ଦ୍ୱିତୀୟବର୍ଗରୁ ଅଧିକାଂଶ ଲେଖକ କିମ୍ୱା ସମାଜସେବୀ । ତୃତୀୟବର୍ଗର ନାଗରିକ ସାମ୍ୱାଦିକ ଯେକୌଣସି ସାଧାରଣ ବ୍ୟକ୍ତିବିଶେଷଙ୍କ ସାମ୍ୱାଦିକତାରେ ଆଗ୍ରହକୁ ବୁଝାଇଥାଏ ।

 

ସାମ୍ୱାଦିକତା ପ୍ରକ୍ରିୟାରେ ଜଡ଼ିତ ସମସ୍ତଙ୍କ ନିମନ୍ତେ ସାମ୍ୱାଦିକତା ତାଲିମ ଅପରିହାର୍ଯ୍ୟ । ସାମ୍ୱାଦିକତା ଏକ ବୃହତ୍ତ ପାଠକ, ଶ୍ରୋତା ବା ଦର୍ଶକ ବର୍ଗଙ୍କୁ ପ୍ରଭାବିତ କରୁଥିବା ହେତୁ ଏହି କ୍ଷେତ୍ରରେ ତୃଟିବିଚ୍ୟୁତି ସାମାଜିକହାନୀରେ ରୂପାନ୍ତରିତ ହୋଇଥାଏ । ଅପରପକ୍ଷେ ଗଣମାଧ୍ୟମ ମଞ୍ଚର ମୌଳିକ ବୈଷୟିକ କୌଶଳ ଆୟତ୍ତ କରିବା ନିମନ୍ତେ ମଧ୍ୟ ତାଲିମ ଆବଶ୍ୟକ ପଡ଼ିଥାଏ । ଏହି ଦୁଇ କାରଣରୁ ତାଲିମହୀନ ସାମ୍ୱାଦିକତା ସ୍ଥଳବିଶେଷରେ ଦୁର୍ଘଟଣା ସୃଷ୍ଟି କରିଥାଏ ।

 

ଅତୀତରେ ବ୍ୟାବହାରିକ ସାମ୍ୱାଦିକତା ଶିକ୍ଷା ପ୍ରଚଳନ ରହିଥିଲା । ଅର୍ଥାତ, ଯେଉଁମାନେ ସାମ୍ୱାଦିକତା କଳାକୌଶଳ ଆୟତ୍ତ କରିବାକୁ ଇଚ୍ଛୁକ ଥିଲେ ସେମାନେ ସ୍ୱତଃପ୍ରବୃତ୍ତଭାବେ ସାମ୍ୱାଦିକତାରେ ଲିପ୍ତ ରହୁଥିଲେ କିମ୍ୱା କୌଣସି ଅଭିଜ୍ଞ ସାମ୍ୱାଦିକଙ୍କ ସାନ୍ନିଧ୍ୟରେ କାର୍ଯ୍ୟକରି ସାମ୍ୱାଦିକତାର ମୌଳିକ ବିଭବଗୁଡ଼ିକ ଶିକ୍ଷା କରୁଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ବିଶ୍ୱବ୍ୟାପୀ ସାମ୍ୱାଦିକତା ପାରମ୍ପରିକ ଆନୁଷ୍ଠାନିକ ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବା ଅବସରରେ ଭାରତ ମଧ୍ୟ ସାମିଲ ହୋଇଥିଲା । ବିଂଶ ଶତାଦ୍ଦୀର ଅଷ୍ଟମ ଦଶକ ଶେଷ ଭାଗରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ପରବର୍ତ୍ତୀ ଅବସ୍ଥାରେ ଭାରତୀୟ ଗଣମାଧ୍ୟମ ପରିବେଶରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଥିଲା ଏବଂ ଉପାଧ୍ୟୁତ୍ତୋର ଶିକ୍ଷାକ୍ରମ ରୂପେ ପ୍ରସାର ଲାଭ କରିଥିଲା । ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ନାତକ ଓ ସ୍ନାତକୋତ୍ତରସ୍ତରରେ ସାମ୍ୱାଦିକତା, ଗଣଯୋଗାଯୋଗ, ବିଜ୍ଞାପନ ଓ ଲୋକସମ୍ପର୍କ ପରିଚାଳନା, ଚଳଚ଼ିତ୍ର ଅଧ୍ୟୟନ ଅନ୍ତର୍ଭୁକ୍ତ ହୋଇଥିଲା ।

 

ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଚଳିତ ତିନି ବର୍ଷ ସ୍ନାତକ ଓ ଦୁଇ ବର୍ଷ ସ୍ନାତକୋତ୍ତର ତଥା ନୂତନ ଶିକ୍ଷାନୀତିରେ ପ୍ରସ୍ତାବିତ ଚାରିବର୍ଷ ସ୍ନାତକ ଓ ଏକ ବର୍ଷ ସ୍ନାତକୋତ୍ତର ଉପାଧି ଶ୍ରେଣୀରେ ଭର୍ତ୍ତି ହେଉଥିବା ଶିକ୍ଷାର୍ଥୀମାନଙ୍କୁ ପ୍ରାୟତଃ ବୃତ୍ତିଗତ ସାମ୍ୱାଦିକତା ଜୀବନ-ମନସ୍କ ଭାବେ ବିବେଚନା କରାଯାଇପାରେ । ସେମାନେ ଶିକ୍ଷାର୍ଜନ ଶେଷରେ ସମ୍ୱାଦ ମଞ୍ଚ ଗୁଡ଼ିକରେ ନିଯୁକ୍ତି ଅନ୍ୱେଷଣ କରିବା ସୁନିଶ୍ଚିତ । ଏହି ବର୍ଗଙ୍କୁ ମୌଳିକ ଭାବେ ସାମ୍ୱାଦିକତା ବିଦ୍ୟାର୍ଥୀ ଭାବେ ଗ୍ରହଣ କରାଯାଇ ସେମାନଙ୍କ ଆଚ଼ରଣ ବିଧି ନିର୍ଣ୍ଣୟ ସମୁଚ଼ିତ ପଦକ୍ଷେପ । ଅପର ଦୁଇ ବର୍ଗ, ଯେଉଁମାନେ ସାମ୍ୱାଦିକତା ମୁକ୍ତ ବୃତ୍ତିଭାବେ ଗ୍ରହଣ କରିବା ନିମନ୍ତେ ଇଚ୍ଛୁକ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରୁ ସାମ୍ୱାଦିକତାରେ ରୁଚ଼ି ରଖି ସାମୟିକଭାବେ ସମ୍ୱାଦ ସରବରାହ ପ୍ରକ୍ରିୟାରେ ସାମିଲ ହେବା ନିମନ୍ତେ ଆଗ୍ରହୀ; ପ୍ରଥମ ବର୍ଗ ନିମନ୍ତେ ନିର୍ଦ୍ଧାରିତ ଆଚ଼ରଣ ବିଧିରୁ କେତେକାଂଶ ଆବଶ୍ୟକତା ମତେ ଗ୍ରହଣ କରିପାରିବେ ।

 

ଆଦର୍ଶ ସାମ୍ୱାଦିକତା ବିଦ୍ୟାର୍ଥୀ ଆଚ଼ରଣବିଧିରେ ବିଦ୍ୟାର୍ଥୀମାନଙ୍କୁ ପ୍ରଥମରୁ ନିଜକୁ ସାମ୍ୱାଦିକଭାବେ ଆତ୍ମପରିଚ଼ିତି ପ୍ରଯୋଜନା ନିମନ୍ତେ ଉତ୍ସାହିତ କରାଯିବ । ସାମ୍ୱାଦିକତା ଶିକ୍ଷା ଆରମ୍ଭ କାଳରୁ ହିଁ ସେମାନେ ନିଜେ ସାମ୍ୱାଦିକ ମାନସିକତା ଗଢିତୋଳିବା ଆବଶ୍ୟକ । କାରଣ ସମ୍ୱାଦ ସରବରାହ ବୟସ, ଅଭିଜ୍ଞତା ବା ଉତ୍କର୍ଷ; କୌଣସି ଭେଦଭାବ ମାନେନାହିଁ । ଅତି ଉଚ୍ଚଧରଣର ସମ୍ୱାଦ ରଚନା କୌଣସି ନବୀନଙ୍କ ପକ୍ଷେ ସଂଭବ ହୋଇପାରିଥିବା ସ୍ଥଳେ ସେହି ବିଷୟବସ୍ତୁର ସନ୍ଧାନ, ଉପାଦାନ ସଂଗ୍ରହ ଓ ବର୍ଣ୍ଣନା ପ୍ରବୀଣଙ୍କ ଆୟତ୍ତାଧୀନ ନହୋଇପାରେ । ପ୍ରତ୍ୟେକ ସମ୍ୱାଦ ଏକ ଦ୍ୱୀପ ସଦୃଶ୍ୟ, ଅଖଣ୍ଡ ଭୂଅଞ୍ଚଳ ସହ ଏହାର ଭାବଗତ ସଂପର୍କ ଥିଲେହେଁ ଆଙ୍ଗିକ ଦୃଷ୍ଟିରୁ ସ୍ୱତନ୍ତ୍ର । ସାମ୍ୱାଦିକତା ବିଦ୍ୟାର୍ଥୀ ହୁଅନ୍ତୁ କିମ୍ୱା ସ୍ୱନାମଧନ୍ୟ ସାମ୍ୱାଦିକ, ପ୍ରତ୍ୟେକ ସମ୍ୱାଦର ଗୁଣବତ୍ତା ତାହାର ସୃଜନକର୍ତ୍ତାଙ୍କ ପରିଚ଼ିତି ସୃଷ୍ଟି କରିଥାଏ । ତେଣୁ ସମ୍ୱାଦ ରଚନାରେ ହାତ ଦେବା ଦିନୁ ନିଜକୁ ସାମ୍ୱାଦିକ ଭାବେ ଅନୁଭବ ଯଥାର୍ଥ ।

 

ଦ୍ୱିତୀୟରେ ନିଜକୁ ସାମ୍ୱାଦିକ ରୂପେ ଗ୍ରହଣ କରିନେବା ପରେ ସାମ୍ୱାଦିକତାର ମୌଳିକ କାର୍ଯ୍ୟ ସମ୍ୱାଦ ରଚନାରେ ସଂପୃକ୍ତ ରହିବା ଆବଶ୍ୟକ । ସମ୍ୱାଦ ରଚନା ଏକ ନିରନ୍ତର ପ୍ରକ୍ରିୟା । ସ୍ଥଳ ବିଶେଷରେ ମାତ୍ର କିଛି କ୍ଷଣ ଉପଯୋଗରେ ଏକ ସମ୍ୱାଦ ପ୍ରଯୋଜନା ସମ୍ଭବ ହୋଇପାରୁଥିବା ସ୍ଥଳେ କୌଣସି ସମ୍ୱାଦ ରଚ଼ନା ନିମନ୍ତେ ସପ୍ତାହ, ପକ୍ଷ, ମାସ ଏପରିକି ବର୍ଷ ମଧ୍ୟ ବିନିଯୋଗର ଦୃଷ୍ଟାନ୍ତ ରହିଥାଏ । ପ୍ରତ୍ୟେକ ସାମ୍ୱାଦିକଙ୍କ ପକ୍ଷେ କୌଣସି ସମୟସୀମାରେ କେତେଗୋଟି ସମ୍ୱାଦ ରଚନା ଶେଷ ହେଲା ବଦଳରେ କେତେଗୋଟି ସମ୍ୱାଦ ରଚନା ନିମନ୍ତେ ଯୋଜନାବଦ୍ଧ ତାହା ଗୁରୁତ୍ୱପୂର୍ଣ୍ଣ । ସାଧାରଣରେ ସାମ୍ୱାଦିକମାନେ ଦୈନନ୍ଦିନଭିତ୍ତିରେ ଏକାଧିକ ସମ୍ୱାଦ ପ୍ରଯୋଜନାରେ ସଂପୃକ୍ତ ରହିଥାନ୍ତି । କିନ୍ତୁ ଏହା ଅତ୍ୟଧିକ ହେବା କାରଣରୁ ଏକାଗ୍ରତା ସଂଭବ ନହେଲେ ସୁଫଳ ମିଳିପାରିନଥାଏ । ସାମ୍ୱାଦିକତା ବିଦ୍ୟାର୍ଥୀମାନେ ଯେକୌଣସି ସମୟରେ ତିନିରୁ ସାତ ଗୋଟି ସମ୍ୱାଦ ରଚନା ପ୍ରତି ଯତ୍ନଶୀଳ ରହିବା ବିଧେୟ । ଅବଶ୍ୟ ଏହିଭଳି ସଂଖ୍ୟା ନିର୍ଦ୍ଧାରଣର କୌଣସି ମାପଦଣ୍ଡ ନଥାଏ ।

 

ତୃତୀୟରେ ସାମ୍ୱାଦିକ ବିଦ୍ୟାର୍ଥୀ କର୍ମଜୀବୀ ସାମ୍ୱାଦିକଙ୍କ ଜୀବନଚର୍ଯ୍ୟା ଅନୁସରଣ କରିବା ହିତକାରକ । ସମ୍ୱାଦ ରଚନା ଗବେଷଣା, ଉପାଦାନ ସଂଗ୍ରହ, ବିଷୟସଜ୍ଜା, ସୃଜନ ଓ ପୁନଃଲିଖନ; ପାଞ୍ଚଗୋଟି ସୋପାନରେ ବିଭକ୍ତ ଥିବା ସ୍ଥଳେ ଏକାଧିକ ସମ୍ୱାଦ ନିମନ୍ତେ ଭିନ୍ନ ଭିନ୍ନ ସୋପାନରେ କିଛି କିଛି ସମୟ ବିନିଯୋଗ କଲେ ଦୀର୍ଘ ସଂପୃକ୍ତିଜନିତ ବିରକ୍ତିବୋଧରୁ ମୁକ୍ତି ପାଇବା ବିଶ୍ୱାସ କରାଯାଇପାରେ । ସଫଳ ସାମ୍ୱାଦିକମାନେ ନିଜ ଦୈନନ୍ଦିନ ଜୀବନ ନିମନ୍ତେ ଖସଡ଼ା ପ୍ରସ୍ତୁତ କରିଥାନ୍ତି ଏବଂ ତାହା କଡ଼ାକଡ଼ିଭାବେ ପାଳନ କରିବା ନିମନ୍ତେ ଯତ୍ନଶୀଳ ହୋଇଥାନ୍ତି । ଦିନ କେତେ ପରେ ସୃଜନ କାର୍ଯ୍ୟନିର୍ଘଣ୍ଟ ଅଭ୍ୟାସରେ ପରିଣତ ହୋଇପଡ଼େ ଏବଂ ସାମ୍ୱାଦିକଙ୍କ ସୃଜନ ଜୀବନ ଗତିଶୀଳ ହୋଇଉଠେ । ବିଦ୍ୟାର୍ଥୀମାନେ ଏହି କ୍ଷେତ୍ରରେ ଖ୍ୟାତନାମା ସାମ୍ୱାଦିକଙ୍କ ଆତ୍ମଜୀବନୀ ପାଠ କରି ନିଜ ରୁଚିମତେ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ କରିବା ନିମନ୍ତେ ପରାମର୍ଶ ଦିଆଯାଇପାରେ ।

 

ଚ଼ତୁର୍ଥରେ ସାମ୍ୱାଦିକତା ସଦାସର୍ବଦା ନୂତନତ୍ୱ ପରିପ୍ରକାଶରେ ପର୍ଯ୍ୟବସିତ । ସମ୍ୱାଦସୂତ୍ର ଅନ୍ୱେଷଣରେ ସାଂବାଦିକଙ୍କୁ ଗଭୀର ଗବେଷଣାରେ ସଂପୃକ୍ତ ରହିବାକୁ ପଡିଥାଏ । ପାରିପାର୍ଶ୍ୱିକସ୍ତରରେ ବିଭିନ୍ନ ଉପକ୍ରମକୁ ସମ୍ୱାଦସୂତ୍ରଭାବେ ଗ୍ରହଣ କରାଯାଇପାରେ । ଘଟଣାଟି ସଂପର୍କରେ ନିଜେ ସଂପୂର୍ଣ୍ଣ ରୂପେ ଅବଗତ ହେବା, ସମସ୍ତ ତଥ୍ୟ ଏବଂ ଅନ୍ୟମାନଙ୍କ ପ୍ରତିକ୍ରିୟା ସଂଗ୍ରହ କରିବା ପରେ ସମ୍ୱାଦ ରଚନାରେ ମନୋନିବେଶ କରାଯାଇଥାଏ । ବୃତ୍ତିଧାରୀ ସାମ୍ୱାଦିକମାନେ ମୁଖ୍ୟତଃ ପ୍ରତ୍ୟକ୍ଷ କ୍ଷେତ୍ରକୁ ସମ୍ୱାଦ ସଂଗ୍ରହର ସୂତ୍ରଭାବେ ଗ୍ରହଣ କରୁଥିବା ସ୍ଥଳେ ସାମ୍ୱାଦିକତା ବିଦ୍ୟାର୍ଥୀମାନେ ଉପଲବ୍ଧ ଓ ପୂର୍ବ-ପ୍ରକାଶିତ ତଥ୍ୟାବଳୀକୁ ଭିତ୍ତିକରି ସମ୍ୱାଦ ପ୍ରଯୋଜନାରେ ସଂପୃକ୍ତ ରହିବା ଆବଶ୍ୟକ । ସାମ୍ୱାଦିକତା ବିଦ୍ୟାର୍ଥୀମାନେ ସାମ୍ୱାଦିକଭାବେ ସାମାଜିକ ସ୍ୱୀକୃତି ହାସଲ ନକରିଥିବା ହେତୁ ସେମାନଙ୍କ ସମ୍ୱାଦସୂତ୍ର ଗ୍ରନ୍ଥାଗାରର ଚାରିକାନ୍ଥ ମଧ୍ୟରେ ସୀମିତ । ଅବଶ୍ୟ ଅନ-ଲାଇନ ପରିବେଶରେ ସେହି ପରିସୀମା ପରିବ୍ୟାପ୍ତ ହୋଇଛି । ସେହିପରି ସାମ୍ୱାଦିକ ବିଦ୍ୟାର୍ଥୀମାନେ ସମାଲୋଚନା ଓ ଅନୁସନ୍ଧାନମୂଳକ ସମ୍ୱାଦ ରଚନାରେ ହାତଦେବା ଅନୁଚିତ । ଅଭିଜ୍ଞତା ଯେ ସାମ୍ୱାଦିକତାକୁ ଋଦ୍ଧିମନ୍ତ କରିଥାଏ, ସାମ୍ୱାଦିକତା ବିଦ୍ୟାର୍ଥୀଗଣ କୌଣସି ମୂହୁର୍ତ୍ତରେ ଏହା ଯେପରି ଭୂଲି ନଯାଆନ୍ତି ସେଥିପ୍ରତି ଦୃଷ୍ଟିଦେବା ବାଞ୍ଛନୀୟ ।

 

ପଞ୍ଚମରେ ସାମ୍ୱାଦିକତା କ୍ଷେତ୍ରରେ ପ୍ରକାଶନ ସୃଜନର ଅଂଶବିଶେଷ । ସମ୍ୱାଦ ରଚନା ପରେ ତାହାର ସଂଶୋଧନ, ପୁନଃସଂଶୋଧନ, ସତୀର୍ଥ ବା ପରିଚ଼ିତ ବର୍ଗଙ୍କ ମଧ୍ୟରେ ପାଠକୀୟ ଆଦୃତି ନିର୍ଦ୍ଧାରଣ ସାଙ୍ଗକୁ ଅଙ୍ଗସଜ୍ଜା ଓ ଉପଯୁକ୍ତ ମଞ୍ଚରେ ପ୍ରକାଶନ ପ୍ରତି ଯତ୍ନବାନ ହେବାକୁ ପଡ଼ିଥାଏ । ଅଭିଜ୍ଞ ସାମ୍ୱାଦିକ ସମ୍ୱାଦ ରଚ଼ନାର ଏହି ପାଞ୍ଚଗୋଟି ସୋପାନ ଦେଇ ଗତିକରୁଥିବା ସ୍ଥଳେ ସାମ୍ୱାଦିକତା ବିଦ୍ୟାର୍ଥୀଙ୍କ ପକ୍ଷରେ ମଧ୍ୟ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ । ସମ୍ୱାଦ ରଚନା କଳାକୌଶଳ ଶିକ୍ଷା କରିବା ପ୍ରାଥମିକ ଅବସ୍ଥାରୁ ପ୍ରତ୍ୟେକଟି ସୋପାନରେ ଉତ୍କର୍ଷ ବିକାଶ ନିମନ୍ତେ ଧ୍ୟାନ ଦେବାକୁ ପଡ଼ିଥାଏ ।

 

‘କୋଭିଡ଼-୧୯’ ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ଭାରତୀୟ ଗଣମାଧ୍ୟମ କେତେକ ନୂତନ ସମସ୍ୟା ଓ ସମ୍ଭାବନାର ସାମ୍ନା କରିଛି । ମହାମାରୀ-ପୂର୍ବ ସମୟରୁ ଆରମ୍ଭ ହୋଇଥିବା ଜନଜୀବନରେ ଡିଜିଟାଲ ରୂପାନ୍ତର ପ୍ରକ୍ରିୟା ମହାମାରୀ କାଳରେ ପ୍ରଖର ହୋଇଥିଲା ଏବଂ ମହାମାରୀ-ପର ଅବସ୍ଥାରେ ବିଶେଷକରି ସୋସିଆଲ ମିଡ଼ିଆର ବ୍ୟାପ୍ତି ତଥା ଦୈନିକଭିତ୍ତିରେ ଉପଭୋକ୍ତାଙ୍କ ଦୀର୍ଘ ସମୟ ସଂପୃକ୍ତି ଗଣମାଧ୍ୟମର ପ୍ରଭାବ ବୃଦ୍ଧିରେ ପର୍ଯ୍ୟବସିତ । ଆଧୁନିକ ଟେଲିଯୋଗାଯୋଗ ପରିବେଶରେ ୯୮ ପ୍ରତିଶତ ଯାଏଁ ଜନସାଧାରଣ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ମଞ୍ଚରେ ଉପସ୍ଥିତ ହେଉଥିବା ହିସାବ କରାଯାଏ । ମହାମାରୀ-ପର ଅବସ୍ଥାରେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ୭୫ କୋଟି ଥିବା ସ୍ଥଳେ ୨୦୨୬ ସୁଦ୍ଧା ଶହେ କୋଟିରେ ପହଞ୍ଚିବା ଆକଳନ କରାଯାଏ । ସାଧାରଣ ସକ୍ରିୟ ଉପଭୋକ୍ତା ଦୈନିକଭିତ୍ତିରେ ଛଅ ଘଣ୍ଟା ଯାଏଁ ଗଣମାଧ୍ୟମ ଆହରଣରେ ସଂପୃକ୍ତ ରହିଥାନ୍ତି ।

 

ଏହିଭଳି ପରିସଂଖ୍ୟାନ ସୋସିଆଲ ମିଡ଼ିଆ ପରିଧିରେ ଜନସାଧାରଣଙ୍କ ଯୋଗଦାନର ପ୍ରଶସ୍ତି ପ୍ରତିପାଦିତ କରେ । ବହୁ ସଂଖ୍ୟକ ସୋସିଆଲ ମିଡ଼ିଆ ଯୋଗେ ସମ୍ୱାଦ ଆହରଣ ସାଙ୍ଗକୁ ସମ୍ୱାଦ ପ୍ରସାରଣରେ ଯୋଡ଼ି ହେଉଥିବା ହେତୁ ପ୍ରତ୍ୟେକଙ୍କୁ ସମ୍ୱାଦ ସରବରାହର ମୌଳିକ ନୀତିନିୟମ ସଂପର୍କରେ ଅବଗତ କରାଇବା ସମୟର ଆହ୍ୱାନ । ସାମୟିକଭାବେ ସମ୍ୱାଦ ପ୍ରସାରଣରେ ସଂଶ୍ଳିଷ୍ଟ ହେଉଥିବା ‘ନାଗରିକ ସାମ୍ୱାଦିକ’ଙ୍କୁ ସାମ୍ୱାଦିକତା ଶିକ୍ଷା ପ୍ରଦାନ ଗଣମାଧ୍ୟମ ସାକ୍ଷରତା ‘ମିଡ଼ିଆ ଲିଟରାସି’ ପର୍ଯ୍ୟାୟଭୁକ୍ତ ।

 

ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧିକୁ ତାଳ ଦେଇ ମିଡ଼ିଆ ଲିଟରାସିର ପ୍ରସାର ଭାରତୀୟ ସମାଜରେ ଅତ୍ୟନ୍ତ କଠିନ ସମସ୍ୟା ପ୍ରତୀୟମାନ ହୋଇଥାଏ । କିନ୍ତୁ ଏହି କ୍ଷେତ୍ରରେ ଅବହେଳା ସୋସିଆଲ ମିଡ଼ିଆର ଦୁରୋପଯୋଗ ହେତୁ ସାମାଜିକସ୍ତରରେ ବିଶୃଙ୍ଖଳାର କାରଣ ପାଲଟିପାରେ । ସର୍ବାପେକ୍ଷା ଦୁଃର୍ଭାଗ୍ୟର ବିଷୟ ଏହିଯେ ଏହି ଦିଗରେ ନୀତି ନିର୍ଦ୍ଧାରକମାନେ ସଚ଼େତନ ନଥାନ୍ତି । ପ୍ରତ୍ୟେକ ସମ୍ୱାଦ ମଞ୍ଚ, ସାମ୍ୱାଦିକଙ୍କ ସାଙ୍ଗକୁ ସାମ୍ୱାଦିକତା ବିଦ୍ୟାର୍ଥୀ ଗଣମାଧ୍ୟମର ମୌଳିକ ନୀତିନିୟମ କିପରି ସର୍ବସାଧାରଣଙ୍କୁ ଅବଗତ କରାଯାଇପାରିବ ସେହି ଦିଗରେ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ଉଦ୍ୟମ କରିବା ମୌଳିକ କର୍ତ୍ତବ୍ୟ ରୂପେ ବିଚାର କରାଯାଏ ।

 

 

ସାମ୍ୱାଦିକତା ଉନ୍ମେଷକାଳରୁ ବିପଦପୂର୍ଣ୍ଣ ବିବେଚ଼ିତ । ସାମ୍ୱାଦିକତା ସତ୍ୟ ଉଦଘାଟନ ଓ ପ୍ରସାରଣରେ ସଂପୃକ୍ତ ରହୁଥିବା ହେତୁ ତଦ୍ୱାରା ପ୍ରଭାବିତ ବର୍ଗ ସାମ୍ୱାଦିକର କଣ୍ଠରୋଧ ନିମନ୍ତେ ଉଦ୍ୟମ କରିଥାନ୍ତି । ନ୍ୟସ୍ତସ୍ୱାର୍ଥଙ୍କ ଆକ୍ରୋଶର ଶୀକାର ହୋଇଥିବା ତୁର୍କୀ ଓ ମେସ୍କିକୋର ଦୁଇଜଣ ସାମ୍ୱାଦିକଙ୍କ କଥୋପକଥନ ଆଧାରିତ ୟୁଟ୍ୟୁବରେ ସ୍ଥାନିତ ଏକ ବୃତ୍ତଚିତ୍ର (୫୨ ମିନଟ) ଦେଖିବା ନିମନ୍ତେ ନିମ୍ନ-ପ୍ରଦତ୍ତ ଲିଙ୍କରେ କ୍ଳିକ କରନ୍ତୁ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ବିଶ୍ୱବ୍ୟାପୀ ସାମ୍ୱାଦିକଙ୍କ ପ୍ରତି ଅବିଚାର ସମୀକ୍ଷା କରୁଥିବା ଫରାସୀ ସଂଗଠନ ‘ରିପୋର୍ଟସ ଉଇଥଆଉଟ ବୋଡର୍ସ’ର ଗଣମାଧ୍ୟମ ସ୍ୱାଧୀନତା ୨୦୨୨ ସୂଚକାଙ୍କରେ ୧୮୦ଗୋଟି ରାଷ୍ଟ୍ର ମଧ୍ୟରେ ତୁର୍କୀର ସ୍ଥାନ ୧୪୯ ଓ ମେସ୍କିକୋର ସ୍ଥାନ ୧୨୭ ଥିବା ସ୍ଥଳେ ଭାରତର ସ୍ଥାନ ୧୫୦ ନିର୍ଣ୍ଣିତ ।            


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ ୨୦୨୨


ତଥ୍ୟ:


Uncovering crime and corruption - Journalism in exile | DW Documentary

 

https://www.youtube.com/watch?v=HYm7aJqXK8A


ବିଦ୍ୟାର୍ଥୀ ସାମ୍ୱାଦିକତା 

ବିଦ୍ୟା ଅର୍ଜନ କାଳରେ, ଅର୍ଥାତ ଛାତ୍ର ଜୀବନରେ ସମ୍ୱାଦ ପରିବେଷଣ ସଂପୃକ୍ତିକୁ ବିଦ୍ୟାର୍ଥୀ ସାମ୍ୱାଦିକତା ‘ଷ୍ଟୁଡ଼େଣ୍ଟସ ଜର୍ଣ୍ଣାଲିଜମ’ ନାମିତ କରାଯାଇପାରେ । ଆଧୁନିକ ସାମ୍ୱାଦିକତାର ଉନ୍ମେଷ ମୁଦ୍ରଣ କଳାର ପରିପ୍ରକାଶ ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ । ପଞ୍ଚଦଶ ଶତାଦ୍ଦୀ ମଧ୍ୟଭାଗରେ ଜର୍ମାନରେ ମୁଦ୍ରଣ ଯନ୍ତ୍ର ଉଦ୍ଭାବନପରେ ଏହି ବୈଷୟିକ କୌଶଳ ଉପଯୋଗରେ ସପ୍ତଦଶ ଶତାଦ୍ଦୀ ଆରମ୍ଭରୁ ସେଠାରେ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିବା ଜଣାଯାଏ । ବ୍ରିଟେନରୁ ପ୍ରଥମ ଦୈନିକ ଇଂଲିଶ ସମ୍ୱାଦପତ୍ର ପ୍ରକାଶନ ନିମନ୍ତେ ଅଷ୍ଟାଦଶ ଶତାଦ୍ଦୀ ଆରମ୍ଭ ଯାଏଁ ଅପେକ୍ଷା କରିବାକୁ ପଡ଼ିଥିଲା ।

 

ଦୈନିକ ସମ୍ୱାଦପତ୍ର ପ୍ରକାଶନ ପୂର୍ବରୁ ମୁଦ୍ରିତ ସାମୟିକ ପତ୍ରିପତ୍ରିକା ପ୍ରସାର କାଳରେ ସାମ୍ୱାଦିକତା ଏକ ବୃତ୍ତି ରୂପେ ପ୍ରଚଳିତ ହୋଇଥିଲେହେଁ, ଦୈନିକ ସମ୍ୱାଦପତ୍ର ପ୍ରକାଶନରେ ଅଧିକ ସଂଖ୍ୟକ ସାମ୍ୱାଦିକ ସାମିଲ ହେବା ପରେ ଅଷ୍ଟାଦଶ ଓ ଊନବିଂଶ ଶତାଦ୍ଦୀ ମଧ୍ୟରେ ବୃତ୍ତିଗତ ଦକ୍ଷତା ଓ ମାନ୍ୟତା ହାସଲ କଲା । ସାମ୍ୱାଦିକତା କଳାକୌଶଳ ଶିକ୍ଷା ଲାଭ କରିବା ନିମନ୍ତେ ନବାଗତମାନେ ବିଭିନ୍ନ ଅଣ-ଆନୁଷ୍ଠାନିକ ପଦ୍ଧତିର ଆଶ୍ରୟ ନେଉଥିଲେ । ମୁଖ୍ୟତଃ ମୁଦ୍ରଣାଳୟ କିମ୍ୱା ସମ୍ୱାଦପତ୍ର କାର୍ଯ୍ୟାଳୟରେ ଶିକ୍ଷାନବୀଶ ରୂପେ କିଛି ସମୟ ତାଲିମ ଗ୍ରହଣ କରୁଥିଲେ ।

 

ଊନବିଂଶ ଶତାଦ୍ଦୀ ଶେଷଭାଗରେ ଯୁକ୍ତରାଷ୍ଟ୍ର ଆମେରିକାର ୟୁନିଭରସିଟି ଅଫ ମିସୌରିରେ ସ୍ୱଳ୍ପକାଳ ଲାଗି ସାମ୍ୱାଦିକତା ଶିକ୍ଷା ଆୟୋଜନପରେ ବିଂଶ ଶତାଦ୍ଦୀ ଆରମ୍ଭରୁ କଲମ୍ୱିଆ ବିଶ୍ୱବିଦ୍ୟାଳୟରେ ବିଧିବଦ୍ଧ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସାମ୍ୱାଦିକତା ପ୍ରଶିକ୍ଷଣ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ସଂପ୍ରସାରିତ ହୋଇ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମର ଅଭିନ୍ନ ଅଙ୍ଗ ପାଲଟିଛି । ଇଂଲିଶ ଶାସନ କାଳରେ ଅଖଣ୍ଡ ଭାରତରେ ଲାହୋରସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ୧୯୪୧ ମସିହାରେ ପ୍ରଥମ ସାମ୍ୱାଦିକତା ପାଠ୍ୟକ୍ରମ ଆରମ୍ଭ ହୋଇଥିବା ସ୍ଥଳେ ଓଡ଼ିଶାରେ ୧୯୭୪ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ନାତକୋତ୍ତର ଉପାଧି ପାଠ୍ୟକ୍ରମରେ ଆଠଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ସୁଯୋଗ ମିଳିଥିଲା ।

 

ସାମ୍ୱାଦିକତା ପାଠ୍ୟକ୍ରମରେ ବିଭିନ୍ନ ସୂତ୍ରରୁ ସୂଚନା ସଂଗ୍ରହ, ସମ୍ୱାଦ ରଚନା ଓ ସମ୍ପାଦନାକୁ ଗୁରୁତ୍ୱ ଦିଆଯାଏ । ଏଥିଲାଗି କାଳ୍ପନିକ ପରିବେଶରେ ଶ୍ରେଣୀକକ୍ଷରେ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ ପାଠ୍ୟକ୍ରମର ଅଂଶବିଶେଷ । ସାମ୍ୱାଦିକତା ବିଦ୍ୟାର୍ଥୀମାନେ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣର ବିଭିନ୍ନ ଘଟଣା ଆଧାରରେ ସମ୍ୱାଦ ରଚନା କରି ପରୀକ୍ଷାଗାର ପତ୍ରିକା ‘ଲେବରେଟରୀ ଜର୍ଣ୍ଣାଲ’ ଆକାରରେ ପ୍ରକାଶ କରନ୍ତି । ଠିକ ସେହିକ୍ରମରେ ଶ୍ରାବ୍ୟ ‘ଅଡ଼ିଓ’, ଦୃଶ୍ୟ ‘ଭିଡ଼ିଓ’ ଓ ଅନଲାଇନ ମାଧ୍ୟମରେ ମଧ୍ୟ ଅଭ୍ୟାସ ଜାରୀ ରହେ ।

 

ଯୁକ୍ତରାଷ୍ଟ୍ର ଆମେରିକାର କେତେକ ବିଶ୍ୱବିଦ୍ୟାଳୟରେ ସାମ୍ୱାଦିକତା ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଶିକ୍ଷାୟତନ ଭିନ୍ନ ପଡ଼ୋଶୀ ସହର ଓ ଗ୍ରାମାଞ୍ଚଳରୁ ସମ୍ୱାଦ ପ୍ରସ୍ତୁତି କାର୍ଯ୍ୟକ୍ରମ ପ୍ରଚଳିତ । ଏହି କ୍ଷେତ୍ରରେ ୟୁନିଭରସିଟି ଅଫ ଭରମଣ୍ଟ ଆନୁକୂଲ୍ୟରେ ପରିଚାଳିତ ‘ସେଣ୍ଟର ଫର କମ୍ୟୁନିଟି ନିଉଜ’ର ଉଦାହରଣ ଦୃଷ୍ଟି ଆକର୍ଷଣ କରେ । ୟୁନିଭରସିଟି ଅଫ ଭରମଣ୍ଟ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ା ସୀମାରେ ବାର୍ଲିଂଟନ ସହରରେ ଅବସ୍ଥିତ । କାନାଡ଼ାର ବଡ଼ ସହର ମଣ୍ଟ୍ରିଲଠାରୁ ଦୂରତ୍ୱ ୧୫୦ କିଲୋମିଟର । ଏହି ବିଶ୍ୱବିଦ୍ୟାଳୟ ୧୭୯୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏଠାରେ ୧୨ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ଚାରି ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ କାର୍ଯ୍ୟରତ ।

 

‘କମ୍ୟୁନିଟି ନିଉଜ ସର୍ଭିସ’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସମ୍ୱାଦମଞ୍ଚଗୁଡ଼ିକ ସହ ଯୋଗାଯୋଗ ସ୍ଥାପନ କରି ସେମାନଙ୍କ ପରାମର୍ଶକ୍ରମେ ଅଧ୍ୟୟନରତ ସାମ୍ୱାଦିକତା ବିଦ୍ୟାର୍ଥୀଙ୍କ ଦ୍ୱାରା ସମ୍ୱାଦ ପ୍ରସ୍ତୁତ ହୋଇ ପ୍ରକାଶନ ନିମନ୍ତେ ପ୍ରଦାନ କରାଯାଏ । ଛାତ୍ରଛାତ୍ରୀମାନଙ୍କୁ ଏହି ଦିଗରେ ଦିଗଦର୍ଶନ ଦେବା ନିମନ୍ତେ ଜଣେ ବୃତ୍ତିଧାରୀ ସଂପାଦକ ନିଯୁକ୍ତ ହୋଇଥାନ୍ତି । ଏହି କାର୍ଯ୍ୟକ୍ରମରେ ବାର୍ଷିକ ତିନି ଶହ ଯାଏଁ ସମ୍ୱାଦ ମୁଦ୍ରଣ, ଶ୍ରାବ୍ୟ ଓ ଦୃଶ୍ୟ ଗଣମାଧ୍ୟମ ମଞ୍ଚରେ ପ୍ରକାଶିତ ହେଉଥିବା ହିସାବ କରାଯାଏ । ପ୍ରତ୍ୟେକ ସମ୍ୱାଦରେ ପ୍ରସ୍ତୁତକର୍ତ୍ତା ଛାତ୍ରଛାତ୍ରୀଙ୍କ ନାମ ‘ବାଇ-ଲାଇନ’ ପ୍ରକାଶପାଏ ଏବଂ ଏଥିଲାଗି ସମ୍ୱାଦ ମଞ୍ଚଗୁଡ଼ିକୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ ନାହିଁ । ଏହି ପଦ୍ଧତିରେ ଉଭୟ ସ୍ଥାନୀୟ ସମ୍ୱାଦ ମଞ୍ଚ, ବିଦ୍ୟାର୍ଥୀ ଓ ଜନସାଧାରଣ ଉପକୃତ ହୋଇଥାନ୍ତି ।

 

ପ୍ରଥମତଃ, ବିଦ୍ୟାର୍ଥୀମାନେ ସାମ୍ୱାଦିକତା ପାଠ୍ୟକ୍ରମ ଅଧ୍ୟୟନ ସହ ଶ୍ରେଣୀକକ୍ଷରେ କାଳ୍ପନିକ ପରିବେଶରେ ଅଭ୍ୟାସ ପରିବର୍ତ୍ତେ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ସମ୍ୱାଦ ପ୍ରସ୍ତୁତି ଲାଗି ପହଞ୍ଚିବା ଦ୍ୱାରା ଜନସାଧାରଣଙ୍କ ସହ ଯୋଡ଼ି ହେବା, ସୂଚ଼ନା ସଂଗ୍ରହ ଓ ସମ୍ୱାଦ ରଚନା ସଂପର୍କରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ ସମ୍ଭବ ହୋଇଥାଏ । ଏହି ସୁଯୋଗ ସାମ୍ୱାଦିକତା କ୍ଷେତ୍ରରେ ଆଗ୍ରହ ବୃଦ୍ଧି ସଙ୍ଗେ ସ୍ୱକୀୟ ପ୍ରତିଭା ବିକାଶଲାଗି ପ୍ରଶସ୍ତ କ୍ଷେତ୍ର ସୃଷ୍ଟି କରିଥାଏ । ଦ୍ୱିତୀୟତଃ, ସମକାଳରେ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକ ଆୟହାନୀ ଓ ବ୍ୟୟବୃଦ୍ଧିରେ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡ଼ିଥିବା ଅବସରରେ ବିଦ୍ୟାର୍ଥୀ ସାମ୍ୱାଦିକତା ସୂତ୍ରରୁ ସୃଜନ ସଂଗ୍ରହ ପ୍ରକାଶନ ବ୍ୟବସ୍ଥା ସମତୁଲରେ ସହାୟକ ହୋଇଥାଏ । ତୃତୀୟତଃ, ଏହି ଉପକ୍ରମରେ ସ୍ଥାନୀୟ ସମସ୍ୟାଗୁଡ଼ିକ ଅନୁଶୀଳନ ଓ ପ୍ରକାଶନ ଦ୍ୱାରା ଜନସାଧାରଣ ଉପକୃତ ହୋଇଥାନ୍ତି ।

 

ଭରମଣ୍ଟ ବିଶ୍ୱବିଦ୍ୟାଳୟ କମ୍ୟୁନିଟି ନିଉଜ ସର୍ଭିସ ସହ ୧୪ ଗୋଟି ସ୍ଥାନୀୟ ସମ୍ୱାଦ ମଞ୍ଚ ଅନୁବନ୍ଧିତ । ଏଥି ମଧ୍ୟରେ ଅଧିକ ସଂଖ୍ୟକ ସାପ୍ତାହିକ ମୁଦ୍ରିତ ସମ୍ୱାଦପତ୍ର । କୋଭିଡ଼-୧୯ ମହାମାରୀ-ପର ଅବସ୍ଥାରେ ଗଣତନ୍ତ୍ରର ସୁରକ୍ଷାଲାଗି ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକର ଗୁରୁତ୍ୱ ଉପଲବ୍ଧି କରାଯାଉଥିବା ଅବସରରେ ସ୍ଥାନୀୟ ସମ୍ୱାଦ ପ୍ରସ୍ତୁତି କ୍ଷେତ୍ରରେ ସାମ୍ୱାଦିକତା ବିଦ୍ୟାର୍ଥୀଙ୍କ ପରୋକ୍ଷ ଯୋଗଦାନ ଭବିଷ୍ୟତ ସାମ୍ୱାଦିକତା ବୃତ୍ତିଗତ ଜୀବନ ସହ ପରିଚ଼ିତ କରାଇବାରେ ସହାୟକ ହେବା ବିଶ୍ୱାସ କରାଯାଏ । ସେଣ୍ଟର ଫର କମ୍ୟୁନିଟି ନିଉଜ ପକ୍ଷରୁ ସଂଗୃହୀତ ତଥ୍ୟ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ ୧୨୦ ଗୋଟି ପ୍ରକଳ୍ପରେ ବିଦ୍ୟାର୍ଥୀ ସାମ୍ୱାଦିକତା କାର୍ଯ୍ୟକାରୀ ହେଉଥିବା ଜଣାଯାଏ ।

 

ବିଂଶ ଶତାଦ୍ଦୀରେ ସାମ୍ୱାଦିକତା ବୃତ୍ତିର ଗୁରୁତ୍ୱ ବୃଦ୍ଧି ପାଇଛି । ବିଶେଷଜ୍ଞମାନେ ସାମ୍ୱାଦିକତା ତାଲିମ ବ୍ୟବସ୍ଥା, ସାମ୍ୱାଦିକତା କଳାକୌଶଳ ସଂପର୍କରେ ରଚନାବଳୀ ପ୍ରକାଶନ, ସାମ୍ୱାଦିକତା ବୃତ୍ତିଗତ ସଂଗଠନଗୁଡ଼ିକର ଅଭିବୃଦ୍ଧି ଓ ସାମ୍ୱାଦିକତାର ସାମାଜିକ ଦାୟବଦ୍ଧତା ନିର୍ଣ୍ଣୟ ଭଳି ଚାରିଗୋଟି କାରଣ ସାମ୍ୱାଦିକତା ବୃତ୍ତିକୁ ଆକର୍ଷଣୀୟ ଗଢ଼ି ତୋଳିଥିବା ସୂଚ଼ିତ କରିଥାନ୍ତି । ତେବେ ସାମ୍ୱାଦିକତା କଳାକୌଶଳ ଉପଯୋଗଲାଗି ତାଲିମ ଅପରିହାର୍ଯ୍ୟ । ସାମ୍ୱାଦିକତା ବିଦ୍ୟାର୍ଥୀମାନେ ସାମ୍ୱାଦିକତାକୁ ବୃତ୍ତିରୂପେ ଗ୍ରହଣ କରିବା ନିମନ୍ତେ ପ୍ରାଥମିକ ନିଷ୍ପତ୍ତି ଗ୍ରହଣ କରି ସାରିଥିବା ହେତୁ ଗୁଣାତ୍ମକ ତାଲିମ ଆବଶ୍ୟକ କରନ୍ତି । ବିଦ୍ୟାର୍ଥୀ ସାମ୍ୱାଦିକତା ସେହି ଦିଗରେ ଏକ ପ୍ରକୃଷ୍ଟ ପଦକ୍ଷେପ ବିଚାର କରାଯାଇପାରେ ।

 

ଯୁବ ସମ୍ପ୍ରଦାୟଙ୍କୁ ଭବିଷ୍ୟତ ସାମ୍ୱାଦିକଭାବେ ପ୍ରସ୍ତୁତ କରିବା ନିମନ୍ତେ ସାମ୍ୱାଦିକତା ପାଠ୍ୟକ୍ରମ ଶତାଧିକ ବର୍ଷଧରି ପ୍ରଚଳିତ । ତେବେ ବିଦ୍ୟାର୍ଥୀ ସାମ୍ୱାଦିକତା ପ୍ରକଳ୍ପରେ ସାମ୍ୱାଦିକତା ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସହ ବିଶ୍ୱବିଦ୍ୟାଳୟସ୍ତରରେ ସାହିତ୍ୟ, ଇତିହାସ, ରାଜନୀତି ବିଜ୍ଞାନ ଓ ଅର୍ଥନୀତି ଭଳି ବିଷୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରାଯାଉଛି । ବାସ୍ତବ କାର୍ଯ୍ୟକ୍ଷେତ୍ରରେ ସାମ୍ୱାଦିକତା ଅଭ୍ୟାସ ମାଧ୍ୟମରେ ସାମ୍ୱାଦିକତା କଳାକୌଶଳ ତାଲିମ ଗ୍ରହଣ ଅତୀତର ମୁଦ୍ରଣାଳୟ ଓ ସମ୍ୱାଦପତ୍ର କାର୍ଯ୍ୟାଳୟରେ ଶିକ୍ଷାନବୀଶ ପଦ୍ଧତିର ପରିମାର୍ଜିତ ରୂପ ଧରି ନିଆଯାଇପାରେ ।

 

ଭାରତ ତଥା ଓଡ଼ିଶାରେ ବିଦ୍ୟାର୍ଥୀ ସାମ୍ୱାଦିକତା କାର୍ଯ୍ୟକ୍ରମ ଉପଯୋଗ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉପଲବ୍ଧ । ଏକ ପକ୍ଷରେ ସମ୍ୱାଦ ମଞ୍ଚଗୁଡ଼ିକ ପକ୍ଷରୁ ସାମ୍ୱାଦିକତା ଉପାଧିଧାରୀ ଛାତ୍ରଛାତ୍ରୀଗଣ ସାମ୍ୱାଦିକତା କଳାକୌଶଳ ଉପଯୋଗରେ ଅନଭିଜ୍ଞ ଥିବା ଅଭିଯୋଗ କରାଯାଇଥାଏ । ପାଠ୍ୟକ୍ରମର ସୀମିତ ଅବଧିରେ ଶିକ୍ଷାନବୀଶ କାର୍ଯ୍ୟକ୍ରମ ପର୍ଯ୍ୟାପ୍ତ ଅନୁଭୂତ ହେଉନଥିବା ଯୁକ୍ତି ବଢ଼ାଯାଇଥାଏ । ଏହି ପରିବେଶରେ ସ୍ନାତକୋତ୍ତରସ୍ତରରେ ଚାରି ସେମିଷ୍ଟାରରେ ଛାତ୍ରଛାତ୍ରୀଙ୍କୁ ସାମୟିକ ସାମ୍ୱାଦିକତା କାର୍ଯ୍ୟରେ ନିୟୋଜିତ କରାଯାଇପାରିଲେ ନିଶ୍ଚିତଭାବେ ସୁଫଳ ମିଳିବା ଆଶା କରାଯାଇପାରେ ।

 

ଅପରପକ୍ଷେ, ମହାମାରୀ-ପର ଅବସ୍ଥାରେ ବିଭିନ୍ନ କାରଣରୁ ମୁଦ୍ରିତ ଦୈନିକ ସମ୍ୱାଦପତ୍ରଗୁଡ଼ିକ ସ୍ୱାଧୀନତା ଓ ବିଶ୍ୱସନୀୟତା ହରାଇ ସମାଜରେ ପାଠକ-ବିମୁଖ ପରିବେଶ ସୃଷ୍ଟି କରାଇଥିବା ଅବସରରେ ସାପ୍ତାହିକ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ସ୍ଥାନୀୟ ସାମ୍ୱାଦିକତା ବିକାଶରେ ବିକଳ୍ପ ସୃଷ୍ଟି କରିପାରିବେ । କିନ୍ତୁ ଗୁଣାତ୍ମକ ସମ୍ୱାଦ ପ୍ରସ୍ତୁତି ନିମନ୍ତେ ନିବେଶ ଅଭାବ ମୁଖ୍ୟ ପ୍ରତିବନ୍ଧକ । ବିଦ୍ୟାର୍ଥୀ ସାମ୍ୱାଦିକତା ମାଧ୍ୟମରେ ସ୍ଥାନୀୟ ସମ୍ୱାଦ ପରିବେଷଣରେ ସାପ୍ତାହିକ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକୁ ସୃଜନ ସହାୟତା ଯୋଗାଇ ଦିଆଗଲେ ଗୁଣାତ୍ମକ ସାମ୍ୱାଦିକତାର ଦ୍ୱାର ଉନ୍ମୁକ୍ତ ହେବା ମଧ୍ୟ ବିଚାର କରାଯାଇପାରେ ।

 

ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏହି ଭଳି ସର୍ଜନଶୀଳ ପାଠ୍ୟକ୍ରମ ପ୍ରବର୍ତ୍ତନ ସମୟ ଉପଯୋଗୀ ମନେହୁଏ । ପ୍ରସ୍ତାବିତ ନୂତନ ଶିକ୍ଷାନୀତିରେ ସାମ୍ୱାଦିକତା ମାଧ୍ୟମିକସ୍ତରରୁ ପାଠ୍ୟକ୍ରମରେ ସାମିଲ କରାଯିବା ବିଚାର କରାଯାଉଥିବା ଅବସରରେ ବିଦ୍ୟାର୍ଥୀ ସାମ୍ୱାଦିକତା ପ୍ରଚଳନ ପ୍ରତି ଧ୍ୟାନ ଦିଆଯାଇପାରେ ।             


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୧ ଏପ୍ରିଲ ୨୦୨


ତଥ୍ୟ:


Watts, Richard. How student journalists are filling the void to help save local news.

 

https://www.poynter.org/commentary/2023/how-student-reporters-are-filling-the-void-to-help-save-local-news-news-deserts/

 

Community News Service : Reporting from UVM

 

https://www.communitynews.net/