ସମ୍ୱାଦ

ସାମ୍ୱାଦିକତାର ସ୍ୱରୂପ

ମନୁଷ୍ୟ ଦୈନନ୍ଦିନ ଜୀବନରେ ନିରନ୍ତର ଅନ୍ୟମାନଙ୍କ ସହ ଯୋଗାଯୋଗ ପ୍ରକ୍ରିୟାରେ ସଂପୃକ୍ତ । ଅର୍ଥାତ ପରସ୍ପର ମଧ୍ୟରେ ଅନବରତ ଭାବ ବିନିମୟ ହୋଇଥାଏ । ଆଳାପ ଆଲୋଚ଼ନାରେ ଯେଉଁ ବିଷୟବସ୍ତୁ ପରିବର୍ତ୍ତନର ସୂଚନା ଦିଏ, ତାହା ସମ୍ୱାଦ ପର୍ଯ୍ୟାୟଭୁକ୍ତ । 

ବିଭିନ୍ନ ଘଟଣା, ସମସ୍ୟା କିମ୍ୱା ଚରିତ୍ରଙ୍କ କ୍ଷେତ୍ରରେ ପରିବର୍ତ୍ତନ ଆମେ ଆଗ୍ରହ ସହକାରେ ଅନୁଧ୍ୟାନ କରି ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିଥାଉ ଏବଂ ଶ୍ରୋତାମାନଙ୍କ ମଧ୍ୟରେ ଅଧିକରୁ ଅଧିକ ଜାଣିବାକୁ ଅଭିଳାଷ ଜାଗ୍ରତ ହୋଇଥାଏ । 

ମାନବ ସଭ୍ୟତାରେ ସମ୍ୱାଦ ସରବରାହ ଅନ୍ୟତମ ଆଦିମ ପ୍ରବୃତ୍ତି ଏବଂ ଅତ୍ୟାଧୁନିକ ପରିବେଶରେ ମଧ୍ୟ ଏହାର ଗୁରୁତ୍ୱ ବଳବତ୍ତର ରହିଛି । ସମ୍ୱାଦ ସଂଗ୍ରହ ଓ ପରିବେଷଣର ଧାରା କାଳକ୍ରମେ ସଂଗଠିତ ହୋଇ ସାମ୍ୱାଦିକତାରେ ପରିପ୍ରକାଶ ହୋଇଛି । ବୈଷୟିକ ପ୍ରଗତିରେ ବିଭିନ୍ନ ସାଜସରଞ୍ଜାମ ଉପଯୋଗ ଗଣମାଧ୍ୟମ ପରିବେଶକୁ ରୁଦ୍ଧିମନ୍ତ କରିଛି । 

ସମ୍ୱାଦ ସ୍ଥଳବିଶେଷରେ କୌତୁହଳଦ୍ଦୀପକ ତଥା ମନୋରଞ୍ଜନଧର୍ମୀ ହେଲେହେଁ, ମୂଳତଃ ଏହା ମନୁଷ୍ୟକୁ ବିଭିନ୍ନ ବିଷୟରେ ଅବଗତ କରାଇ ଅର୍ଥପୂର୍ଣ୍ଣ ଜୀବନଯାତ୍ରାରେ ସହାୟକ ହୋଇଥାଏ । ଶିକ୍ଷା, ସ୍ୱାସ୍ଥ୍ୟରକ୍ଷା, ବାଣିଜ୍ୟବ୍ୟବସାୟଠାରୁ ଆରମ୍ଭ କରି ପ୍ରଶାସନ, ଗଣତନ୍ତ୍ର ଯାଏଁ ପ୍ରତ୍ୟେକଟି ସାମାଜିକ କ୍ଷେତ୍ରରେ ଯୋଗଦାନ ଲାଗି ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିଥାଏ । 

ସାମ୍ୱାଦିକତାର ମୂଳ ଉଦ୍ଦେଶ୍ୟ ଉପଭୋକ୍ତାଙ୍କ ଆବଶ୍ୟକତା ଅନୁଯାୟୀ ସମ୍ୱାଦ ପରିବେଷଣର ସୁଯୋଗ ସୃଷ୍ଟିରେ ଅଭିପ୍ରେତ । ଏତଦ୍ୱାରା ସେମାନେ ନିଜ ବସତି, ଜନପଦ ଓ ସମାଜର ସ୍ଥିତାବସ୍ଥା ସଂପର୍କରେ ଅବଗତ ହୋଇ ଦାୟିତ୍ୱ ନିର୍ବାହ କରିଥାନ୍ତି । 

ସ୍ଥୁଳ ଅର୍ଥରେ ସମ୍ୱାଦ କୌଣସି ଏକ ପରିବର୍ତ୍ତନର ସୂଚନା । ଏହାର ପରିଧି ଘଟଣାଠାରୁ ଆରମ୍ଭ କରି ଚିନ୍ତାଧାରା ଯାଏଁ ବ୍ୟାପ୍ତ । ସମ୍ୱାଦର ବିଧିବଦ୍ଧ ପ୍ରକାଶନକୁ ସାମ୍ୱାଦିକତା କୁହାଯାଏ । ଏହା ସମ୍ୱାଦ ଚୟନ, ସଂଗ୍ରହ, ରଚନା, ଉପସ୍ଥାପନ ଓ ସମୀକ୍ଷା ପାଞ୍ଚଗୋଟି ପର୍ଯ୍ୟାୟ ମଧ୍ୟ ଦେଇ ଗତି କରିଥାଏ ।

ପ୍ରଥମତଃ, ପ୍ରତ୍ୟେକଟି ଘଟଣା କିମ୍ୱା ପରିବର୍ତ୍ତନ ସମ୍ୱାଦ ପର୍ଯ୍ୟାୟଭୁକ୍ତ ହୋଇନପାରେ । ଉଦାହରଣରେ ଜଣେ ସାଧାରଣ ନାଗରିକଙ୍କ ଦୈନନ୍ଦିନ ଜୀବନର ବିବରଣୀକୁ ଆମେ ସମ୍ୱାଦ ରୂପେ ଗ୍ରହଣ କରିନପାରୁ । କିନ୍ତୁ ଜଣେ ଜନନାୟକ କିମ୍ୱା ଚର୍ଚ୍ଚିତ ଚରିତ୍ରଙ୍କ ଦୈନନ୍ଦିନ ଜୀବନ ସ୍ଥଳବିଶେଷରେ ସମ୍ୱାଦ ପଦବାଚ୍ୟ ହୋଇପାରେ । ମନୋରଞ୍ଜନ ସାମ୍ୱାଦିକତାରେ ଚଳଚ଼ିତ୍ର ନାୟକ, ନାୟିକାମାନଙ୍କ ଦୈନନ୍ଦିନ ଜୀବନର ବିଶଦ ବିବରଣୀ ପାଠକ, ପାଠିକାମାନଙ୍କ ମଧ୍ୟରେ ଆଦୃତ ହୋଇଥାଏ । ସେହିପରି ଜଣେ ଦୁର୍ଦ୍ଧାନ୍ତ  ଡ଼କାୟତ କିମ୍ୱା ଉଚ୍ଚ ପଦଧିକାରୀ ରାଜନୀତିକ ନେତାଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପାଠକୀୟ ଆଗ୍ରହ ଉଦ୍ରେକ କରିପାରେ ।

ସମ୍ୱାଦ ପରିବେଷଣ ମଞ୍ଚ ଅର୍ଥାତ ସମ୍ୱାଦପତ୍ର, ରେଡ଼ିଓ, ଟେଲିଭିଜନ, ୱେବ ପୋର୍ଟାଲ ବା ସୋସିଆଲ ମିଡ଼ିଆ ନିଜସ୍ୱ ସ୍ୱାତନ୍ତ୍ର୍ୟକୁଭିତ୍ତିକରି ସମ୍ୱାଦ ଚୟନ କରିଥାନ୍ତି । ଉଦାହରଣରେ ଏକ ରାଜନୀତିକ ଘଟଣାକ୍ରମ ସାଧାରଣ ବର୍ଗର ଦୈନିକ ସମ୍ୱାଦପତ୍ରର ପ୍ରଥମ ପୃଷ୍ଠା ଓ ଅର୍ଥନୀତିକ ଘଟଣାକ୍ରମ ଭିତରପୃଷ୍ଠା ମଣ୍ଡନ କରୁଥିବା ସ୍ଥଳେ ଅର୍ଥନୀତିକ ଦୈନିକ ସମ୍ୱାଦପତ୍ରରେ ଅର୍ଥନୀତିକ ଘଟଣାକ୍ରମ ପ୍ରଥମପୃଷ୍ଠା ଓ ରାଜନୀତିକ ଘଟଣାକ୍ରମ ଭିତରପୃଷ୍ଠାରେ ସ୍ଥାନିତ ହୋଇଥାଏ । 

ସେହିପରି ସମ୍ୱାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣଗୁଡ଼ିକରେ ସ୍ଥାନୀୟ ସମ୍ୱାଦକୁ ଗୁରୁତ୍ୱ ଦିଆଯାଉଥିବା ସ୍ଥଳେ ଅନୁରୂପ ଢ଼ଙ୍ଗରେ ଅନ୍ୟ ସଂସ୍କରଣଗୁଡ଼ିକରେ ସେଠାକାର ସ୍ଥାନୀୟ ସମ୍ୱାଦ ପ୍ରକାଶନ କରିଥାନ୍ତି । କୌଣସି ବନ୍ଧୁଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡ଼ିଆରେ ଏକାଧିକ ପୋଷ୍ଟ କରାଯିବା ଯୁକ୍ତିଯୁକ୍ତ ଥିବାସ୍ଥଳେ ତାହା ପାରମ୍ପରିକ ଗଣମାଧ୍ୟମରେ ସ୍ଥାନ ପାଇପାରେନା ।

ଦ୍ୱିତୀୟତଃ, ସମ୍ୱାଦର ବିଷୟବସ୍ତୁ ଚ଼ିହ୍ନଟ ପରେ ତଥ୍ୟ ସଂଗ୍ରହ, ରଚନା ଓ ଉପସ୍ଥାପନା ସାଧାରଣରୁ ଅସାଧାରଣ ଦକ୍ଷତା ଆବଶ୍ୟକ କରିଥାଏ । ସୋସିଆଲ ମିଡ଼ିଆରେ ସମ୍ୱାଦ ପୋଷ୍ଟ କରିବା ନିମନ୍ତେ ଯେକୌଣସି ଶିକ୍ଷିତ ସମର୍ଥ ଥିବା ସ୍ଥଳେ ଜଣେ ରାଜନୀତିକ କିମ୍ୱା ବ୍ୟାବସାୟିକ ନେତାଙ୍କ ପୋଷ୍ଟିଂ ପାଇଁ ଉଚ୍ଚ ପ୍ରତିଭାଧରଙ୍କୁ ଖୋଜା ପଡ଼ିଥାଏ । ଏତଦ୍ୱାରା ପୋଷ୍ଟର ଗୁଣବତ୍ତା ବୃଦ୍ଧି ପାଇଥାଏ ।

ତୃତୀୟତଃ, ସମ୍ୱାଦ ଉପସ୍ଥାପନା ପ୍ରକ୍ରିୟାରେ ସମୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇଥିଲେହେଁ ପାରମ୍ପରିକସ୍ତରରେ ଅବହେଳିତ ହୋଇ ପଡ଼ି ରହୁଥିଲା । ଇଣ୍ଟରନେଟ ସମ୍ୱାଦିକତାର ପ୍ରଚଳନପରେ ପ୍ରତ୍ୟେକ ସମ୍ୱାଦ ସମୀକ୍ଷାର ପରିବେଶ ସୃଷ୍ଟି ସଂଭବ ହୋଇପାରିଛି । ସମ୍ୱାଦ ସହ ସାର୍ବଜନୀନ ଅଭିମତ ସଂଯୋଗ ସୂଚନାର ବିଶ୍ୱସନୀୟତା ବୃଦ୍ଧିରେ ସହାୟତା କରୁଛି । ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ କ୍ରମଶଃ ମୋବାଇଲଫାଷ୍ଟ ଆଙ୍ଗିକ ଆୟତ୍ତ କରୁଥିବା ହେତୁ ଏହି ସୁବିଧାସୁଯୋଗ ପରିବ୍ୟାପ୍ତ ହେବାରେ ଲାଗିଛି । 

କେବଳ ସମ୍ୱାଦ ରଚନାକୁ ସାମ୍ୱାଦିକତା ଆଖ୍ୟା ଦେବା ଦୋଷାବହ । ସାମ୍ୱାଦିକତାର ମୂଳଭିତ୍ତି ପ୍ରକାଶିତ ତଥ୍ୟାବଳୀର ଯାଞ୍ଚ ଉପରେ ନିର୍ଭରଶୀଳ । ଯେକୌଣସି ବ୍ୟକ୍ତି ସମ୍ୱାଦ ରଚନା କରିପାରନ୍ତି । ତେବେ ବୃତ୍ତିଧାରୀ ସାମ୍ୱାଦିକମାନେ ପ୍ରକାଶିତ ସମ୍ୱାଦର ସତ୍ୟତା ଯାଞ୍ଚ ଲାଗି ଉତ୍ତରଦାୟୀ ରହିଥାନ୍ତି । ଅନେକ ରାଷ୍ଟ୍ରରେ ସାମ୍ୱାଦିକମାନଙ୍କୁ ଚ଼ିହ୍ନଟ କରି ସରକାରୀସ୍ତରରେ ଅଧିସ୍ୱୀକୃତି ପ୍ରଦାନ କରାଯାଇଥାଏ । ଜନସାଧରଣଙ୍କ ସ୍ୱାର୍ଥର ସୁରକ୍ଷା ସାମ୍ୱାଦିକର ପରମ ଧର୍ମ । ଏଥି ନିମନ୍ତେ ସତ୍ୟନିଷ୍ଠ ସମ୍ୱାଦ ପରିବେଷଣ ହିଁ ସାମ୍ୱାଦିକତାରେ ପର୍ଯ୍ୟବସିତ । 

ସାମ୍ୱାଦିକ ସମାଜର ପର୍ଯ୍ୟବେକ୍ଷକ ‘ଅବଜରଭର’ ଭୂମିକା ନିର୍ବାହ କରିଥାଏ । ଯେକୌଣସି ସମସ୍ୟାର ଗଭୀର ଅଧ୍ୟୟନ କରି ତାହାର ପୃଷ୍ଠଭୂମି, ବିଶ୍ୱାସଯୋଗ୍ୟ ତଥ୍ୟାବଳୀ ସମେତ ସମାଜର ବିଭିନ୍ନ ବର୍ଗର ବିଚାରଧାରା ଏକତ୍ର ପରିବେଷଣ ନିମନ୍ତେ ଉଦ୍ୟମ କରିଥାଏ । ଏତଦ୍ୱାରା ସାଧାରଣ ନାଗରିକ ସମସ୍ୟା ସଂପର୍କରେ ଅବଗତ ହୋଇ ବ୍ୟକ୍ତିଗତ ଓ ସାମୂହିକ ଦୃଷ୍ଟିକୋଣ ଗଢିତୋଳିଥାନ୍ତି । 

ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ଗ୍ରାମପଞ୍ଚାୟତଠାରୁ ଆରମ୍ଭକରି ରାଷ୍ଟ୍ରୀୟ ଶାସନ ବ୍ୟବସ୍ଥା ପରିଚାଳନାରେ ପ୍ରତ୍ୟେକ ନାଗରିକ ସକ୍ରିୟଭାବେ ଅଂଶ ଗ୍ରହଣ କରୁଥିବା ହେତୁ ସମାଜର ବିଭିନ୍ନ ସମସ୍ୟା ସଂପର୍କରେ ଜାଣିବା ଗୁରୁତ୍ୱ ବହନ କରେ । ଏଥିସହ ସମସ୍ୟାଗୁଡ଼ିକର ବିଚାରବିମର୍ଷ ନିମନ୍ତେ ନିରପେକ୍ଷ ମଞ୍ଚ ମଧ୍ୟ ଆବଶ୍ୟକ ପଡ଼େ । ବିଭିନ୍ନ ସମ୍ୱାଦଭିତ୍ତିକ ଗଣମାଧ୍ୟମ ମଞ୍ଚ ଏହି ଦାୟିତ୍ୱ ନିର୍ବାହ କରିଥାନ୍ତି ।

ସାମ୍ୱାଦିକତାରେ ନୂତନତ୍ୱ ପ୍ରବର୍ତ୍ତନ ‘ଇନୋଭେସେନ’ ନିମନ୍ତେ ସମ୍ୱାଦ ରଚନାରେ ଦୀର୍ଘ ଅଭିଜ୍ଞତା, ଅନୁକରଣ, ଅଧ୍ୟୟନ ଓ ଗବେଷଣା ଆବଶ୍ୟକ ପଡ଼ିଥାଏ । ଏହା ବ୍ୟକ୍ତିଗତସ୍ତରରେ ପୂର୍ଣ୍ଣକାଳୀନ ବୃତ୍ତି କିମ୍ୱା ପ୍ରବୃତ୍ତି । ସାମ୍ୱାଦିକତା ଦକ୍ଷତା ହାସଲ ନିମନ୍ତେ ରୁଚି, ଧୈର୍ଯ୍ୟ ଓ ନିଷ୍ଠା ଅପରିହାର୍ଯ୍ୟ । ଖେଳକୁଦ, ଅଭିନୟ କିମ୍ୱା ଗାୟନ ଭଳି ସାମ୍ୱାଦିକତା ଏକ ନିଶା । ଏଠାରେ ଟାଣିଓଟାରି କାହାରିକି ସାମିଲ କରାଯାଇ ପାରେନା । 

ସାମ୍ୱାଦିକତାର ବାହ୍ୟ ଔଜଲ୍ୟ ‘ଗ୍ଳାମର’ରେ ପ୍ରଭାବିତ ହୋଇ ଯେଉଁମାନେ ଏଥିରେ ଅନୁପ୍ରବେଶ କରିଥାନ୍ତି ସେମାନେ ସାମ୍ୱାଦିକତାକୁ ବନ୍ଧକ ରଖି କିଛିକାଳ କ୍ଷମତାଶାଳୀ ବା ବିତ୍ତଶାଳୀ ହୋଇପାରନ୍ତି ସତ, କିନ୍ତୁ ସର୍ଜନଶୀଳ ସାମ୍ୱାଦିକଟିଏ ପାଞ୍ଚ ଶହ ଶବ୍ଦର ରଚନା ପରେ ଯେଉଁ ନୈସର୍ଗିକ ଆନନ୍ଦ ଉପଭୋଗ କରେ ସେଥିରୁ ବଞ୍ଚିତ ରହନ୍ତି । ଆତ୍ମତୃପ୍ତି ବିନା ସାମ୍ୱାଦିକତା କାହିଁକି ଯେକୌଣସି ସୃଜନ ନିରର୍ଥକ ।

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୦ ଏପ୍ରିଲ ୨୦୨୦


ତଥ୍ୟ:


American Press Institute <www.americanpressinstitute.org

Journalism Essentials : (a) What is the purpose of journalism, (b) What is journalism, (c) What makes journalism different than other forms of communication, (d) What does journalist do, (e) The journalist as a ‘committed observer’, (f) The theory of the interlocking public. 

ସମ୍ୱାଦର ଗୁରୁତ୍ୱ

ଯେଉଁ ସମ୍ୱାଦକୁ ପାଠକମାନେ ଆଗ୍ରହ ସହକାରେ ପାଠ କରିଥାନ୍ତି ତଥା ସମ୍ୱାଦ ମଞ୍ଚରେ ପ୍ରକାଶିତ ଅନ୍ୟାନ୍ୟ ସମ୍ୱାଦ ତୁଳନାରେ ଅଗ୍ରାଧିକାର ଦେଇଥାନ୍ତି, ତାହା ପ୍ରଯୋଜନାରେ ଉତ୍କର୍ଷତା ଲାଭ କରିଥିବା ବିଚାର କରାଯାଏ । ଅର୍ଥାତ, ସମ୍ୱାଦପତ୍ରଗୁଡ଼ିକରେ ପ୍ରକାଶିତ ଅସଂଖ୍ୟ ସମ୍ୱାଦ ମଧ୍ୟରେ ଯେଉଁ ନିର୍ଦ୍ଦିଷ୍ଟ ସମ୍ୱାଦ ଅଧିକ ସଂଖ୍ୟକ ପାଠକଙ୍କ ଦୃଷ୍ଟି ଆକର୍ଷଣ କରେ, ପୁଙ୍ଖାନୁପୁଙ୍ଖଭାବେ ଅଧ୍ୟୟନ ନିମନ୍ତେ ଉତ୍ସାହିତ କରେ, ସହଜରେ ବୋଧଗମ୍ୟ, ସାବଲୀଳ ଓ ପଠନ ପରବର୍ତ୍ତୀ ଅବସ୍ଥାରେ ଅପର ସହ ଆଲୋଚନାର ବିଷୟବସ୍ତୁରେ ପରିଣତ ହୁଏ ତାହା ଉତ୍କର୍ଷ ସମ୍ୱାଦ ପଦବାଚ଼୍ୟ ।


 

ପାଠକମାନଙ୍କ ରୁଚ଼ି ଅକଳନୀୟ । ସମ୍ୱାଦ ମଞ୍ଚର ସମ୍ପାଦକମାନେ ତତ୍କାଳ ପାଠକମାନଙ୍କ ରୁଚ଼ି ପରଖି ପାଠକୀୟ ଆଗ୍ରହକୁ ବର୍ଗୀକୃତ କରିଥାନ୍ତି । ଏହିଭଳି ଉଦ୍ୟମ ସମ୍ପାଦକମାନଙ୍କ ଅଭିଜ୍ଞତାକୁ ଭିତ୍ତିକରି ପ୍ରସ୍ତୁତ ହେଉଥିବା ହେତୁ ବାସ୍ତବ କ୍ଷେତ୍ରରେ ଆଶାନୁରୁପ କାର୍ଯ୍ୟକରିନଥାଏ । ତେବେ ପାଠକୀୟ ଆଗ୍ରହ ଚ଼ରିତାର୍ଥ କରିବା ନିମନ୍ତେ ନିର୍ଦ୍ଦିଷ୍ଟ ନୀତି ନିର୍ଦ୍ଧାରିତ ହୋଇ ଦୀର୍ଘକାଳ ତଦନୁଯାୟୀ ସମ୍ୱାଦ ପରିବେଷଣ ପରେ ପାଠକମାନେ ସେଭଳି ଧାରାରେ ଅଭ୍ୟସ୍ତ ହୋଇଯାଆନ୍ତି । ପାଠକମାନଙ୍କ ରୁଚି ପରଖିବା ନିମନ୍ତେ ଆଧୁନିକ ଗବେଷଣାକେନ୍ଦ୍ରୀକ ବହୁ ସାଧନ ଉପଲବ୍ଧ ଥିଲେ ହେଁ ଏଦିଗରେ ପ୍ରକାଶକ, ସମ୍ପାଦକ ଓ ସାମ୍ୱାଦିକମାନେ ଆଗ୍ରାହାନ୍ୱିତ ହୋଇନଥାନ୍ତି ।


 

ସମ୍ୱାଦଶିଳ୍ପରେ ପାରମ୍ପରିକ ବ୍ୟାବସାୟିକ ଧାରା ‘ମଡ଼େଲ’ ବିଭିନ୍ନ କାରଣରୁ ବିଘଟନ ‘ଡିସରପସନ’ ସମ୍ମୁଖୀନ ହେବାପରେ ପ୍ରଚଳିତ ସମ୍ପାଦକୀୟ ନୀତି ପୁନଃ ନିର୍ଦ୍ଧାରଣ ନିମନ୍ତେ ପାଠକ ସର୍ବେକ୍ଷଣ ଭଳି ଗବେଷଣା ବହୁଳ ବ୍ୟବହାର ଆଶା କରାଯାଇପାରେ ।


 

ଅପରପକ୍ଷେ ପାଠକୀୟ ଆଗ୍ରହର ବିସ୍ତୃତି ବିଚାରକୁ ନେଲେ ଯେକୌଣସି ବିଷୟ ସଂପର୍କୀତ ବିବରଣୀ ସମ୍ୱାଦ ପ୍ରଯୋଜନାରେ ଭିତ୍ତିଭୂମି ହୋଇପାରେ । ସୋସିଆଲ ମିଡ଼ିଆରେ ସବୁ ରକମର ବାର୍ତ୍ତା ପ୍ରସାରିତ ହୋଇଥାଏ । କିନ୍ତୁ ପାରମ୍ପରିକ ଗଣମାଧ୍ୟମରେ ପ୍ରସାରଣଯୋଗ୍ୟ ସମ୍ୱାଦ ସାଧାରଣାନୁମୋଦିତ ନୀତିନିୟମ ଦ୍ୱାରା ନିୟନ୍ତ୍ରିତ । ବ୍ୟକ୍ତିଗତ ଭୋଜନ ବ୍ୟଞ୍ଜନର ସଚିତ୍ର ଚର୍ଚ୍ଚା ସୋସିଆଲ ମିଡ଼ିଆ ପୋଷ୍ଟଗୁଡ଼ିକରେ ବିସ୍ତୃତି ଲାଭ କରୁଥିବା ସ୍ଥଳେ ପାରମ୍ପରିକ ସମ୍ୱାଦ ମଞ୍ଚରେ ସ୍ଥାନ ପାଇନଥାଏ । ଅବଶ୍ୟ ଜଣକର ମଧ୍ୟାହ୍ନ ଭୋଜନ ବ୍ୟଞ୍ଜନର ସବିଶେଷ ବିବରଣୀ ପ୍ରକାଶନ ଭଳି ଉଦାହରଣ ସେମାନଙ୍କ ବନ୍ଧୁବର୍ଗଙ୍କ ମଧ୍ୟରେ କେତେଦୂର ଗ୍ରହଣୀୟ ହେଉଛି ତାହାର ବିଚାର ଭିନ୍ନ କଥା ।


 

ସମ୍ୱାଦ ପ୍ରସାରଣ ଉପଯୋଗୀ ଉତ୍ପାଦ । ସମ୍ୱାଦ ବହୁ ସଂଖ୍ୟକ ପାଠକ ପାଠିକାଙ୍କ ଦ୍ୱାରା ଆହରଣ ହେଉଥିବା ତଥା ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ଦୃଷ୍ଟିକୋଣ ପ୍ରଯୋଜନାରେ ମୂଳ ଉପାଦନ ରୂପେ କାର୍ଯ୍ୟ କରୁଥିବା ହେତୁ ସମ୍ୱାଦର ସତ୍ୟତା ବାରମ୍ୱାର ଯାଞ୍ଚ କରିବା ସାମ୍ୱାଦିକତାରେ ମୌଳିକ ଆବଶ୍ୟକତା । ସମ୍ୱାଦର ଉତ୍କର୍ଷତା ବ୍ୟାପକ ବିବରଣୀ ଉପସ୍ଥାପନ ବଦଳରେ ଘଟଣା ବର୍ଣ୍ଣନାରେ ଘନତ୍ୱ ଉପରେ ନିର୍ଭରଶୀଳ । ସେହିପରି ପ୍ରକାଶିତ ସମ୍ୱାଦର ଆପେକ୍ଷିକ ଗୁରୁତ୍ୱ ଉପସ୍ଥାପନ ଶୈଳୀ ଦ୍ୱାରା ପ୍ରଭାବିତ ।


 

ସମ୍ୱାଦରେ ଚର୍ଚ୍ଚିତ ଘଟଣାବଳୀର ସୁକ୍ଷ୍ମାତିସୁକ୍ଷ୍ମ ବର୍ଣ୍ଣନାକୁ ଧ୍ୟାନ ଦିଆଯାଇଥାଏ । ଏହା ସମ୍ୱାଦ ପ୍ରତି ପାଠକର ଦୃଷ୍ଟି ଆକର୍ଷଣରେ ସହାୟକ ହେବା ସଙ୍ଗେ ଅଧ୍ୟୟନ ଲାଗି ପ୍ରୋତ୍ସାହିତ କରିଥାଏ । ତଥ୍ୟ ସଂଗ୍ରହ କାଳରେ ଘଟଣାର ପାରିପାର୍ଶ୍ୱିକ ପରିବେଶ ପ୍ରତି ସାମ୍ୱାଦିକ ସଚ଼େତନ ରହିବା ତଥା ସେହିଭଳି ବିବରଣୀ ଟିପି ରଖିଲେ ସମ୍ୱାଦ ରଚନାରେ ସହାୟକ ହୋଇଥାଏ ।


 

ଫୋଟ ସାମ୍ୱାଦିକତା କ୍ଷେତ୍ରରେ କୌଣସି ଘଟଣାର ମାତ୍ର କେତେଗୋଟି ଆଲୋକଚିତ୍ର ମାଧ୍ୟମରେ ସମଗ୍ର ବିବରଣୀ ବର୍ଣ୍ଣନା କରିବା ନିମନ୍ତେ ପ୍ରୟାସ ଜାରି ରହିଥାଏ । ଠିକ୍ ସେହିପରି ଚଳଚ଼ିତ୍ର ଚ଼ିତ୍ରନାଟ୍ୟ ରଚନା କାଳରେ ମାତ୍ର କେତେଗୋଟି ଦୃଶ୍ୟ ମାଧ୍ୟମରେ ସମଗ୍ର କାହାଣୀ ଅବତାରଣା କରାଯାଇଥାଏ ।ସମ୍ୱାଦ ରଚନାରେ ସାମ୍ୱାଦିକ ଜଣେ ଫୋଟ ସାମ୍ୱାଦିକ କିମ୍ୱା ଚ଼ିତ୍ରନାଟ୍ୟଲେଖକ ଭଳି ଘଟଣାର ଗୁରୁତ୍ୱପୂର୍ଣ୍ଣ ମୋଡ଼ଗୁଡ଼ିକର ବିଶଦ ବିବରଣୀ ବର୍ଣ୍ଣନା ପ୍ରତି ଗୁରୁତ୍ୱ ଆରୋପ କରିପାରେ ।


 

ନାଗରିକଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାଠାରୁ ଆରମ୍ଭ କରି ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ଅଂଶଗ୍ରହଣ ଯାଏଁ ବିଭିନ୍ନ ବ୍ୟକ୍ତିଗତ ଓ ସାମାଜିକ କାର୍ଯ୍ୟଧାରା ନିୟନ୍ତ୍ରଣରେ ସମ୍ୱାଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହି କାରଣରୁ ସତ୍ୟ, ସ୍ୱଚ୍ଛ ଓ ନିରପେକ୍ଷ ସମ୍ୱାଦ ପ୍ରଯୋଜନା ନିମନ୍ତେ ସାମ୍ୱାଦିକଙ୍କୁ ପ୍ରାଥମିକ ସ୍ତରରୁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିବାକୁ ପଡ଼େ ।


 

ସମ୍ୱାଦର ବିଷୟବସ୍ତୁ ଚୟନ କରିବା ପରେ ତଥ୍ୟ ସଂଗ୍ରହ ପୂର୍ବରୁ ସମ୍ୱାଦର ସମ୍ଭାବ୍ୟ ରୂପରେଖ ପ୍ରସ୍ତୁତ କରିବା ଅବସରରେ କେତେଗୋଟି ଦିଗପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ । ପ୍ରଥମତଃ, ସମ୍ୱାଦର ମୁଖ୍ୟ କେନ୍ଦ୍ରବିନ୍ଦୁ କ’ଣ ରହିବ, ପାଠକମାନେ ସମ୍ୱାଦଟିକୁ କାହିଁକି ପଢ଼ିବେ ଓ ସମ୍ୱାଦରେ ବର୍ଣ୍ଣିତ ଘଟଣାବଳୀ ଜାଣିବାଦ୍ୱାରା କ’ଣ ଲାଭ ହେବ ତାହା ନିର୍ଦ୍ଧାରଣ କରାଯିବା ଉଚିତ । ଦ୍ୱିତୀୟତଃ, ନିର୍ବାଚିତ ଘଟଣାଟିର ବର୍ଣ୍ଣନା ସମ୍ୱାଦର କଳେବର ନିମନ୍ତେ ଠିକ୍ ନା ଅଧିକ ନା କମ ତାହା ବିଚାର କରି ତଦ୍ଅନୁଯାୟୀ ସମ୍ୱାଦର ବିଷୟବସ୍ତୁ କାଟଛାଟ କରିବା ଦ୍ୱାରା ସମ୍ୱାଦ ପ୍ରଭାବଶାଳୀ ହୋଇପାରେ । ତୃତୀୟତଃ, ପ୍ରତ୍ୟେକ ସମ୍ୱାଦକୁ ବିଶ୍ୱାସଯୋଗ୍ୟ କରିବା ନିମନ୍ତେ ପ୍ରମାଣ ଆବଶ୍ୟକ ପଡିଥାଏ । ଏଥିପ୍ରତି ମୂଳରୁ ସଚ଼େତନ ରହିବା ଆବଶ୍ୟକ । ଚତୁର୍ଥତଃ, ପ୍ରତ୍ୟେକ ସମ୍ୱାଦରେ ଏକ ବା ଏକାଧିକ ମୁଖ୍ୟ ଚ଼ରିତ୍ର ଅବତାରଣା କରାଯାଇଥାଏ । ସମ୍ୱାଦରେ ବର୍ଣ୍ଣିତ ଘଟଣା ସହ ସେମାନଙ୍କ ସଂପୃକ୍ତି ମଧ୍ୟ ପ୍ରମାଣ କରିବାକୁ ପଡ଼ିଥାଏ ।ପଞ୍ଚମତଃ, ସମଗ୍ର ଘଟଣାର ସମସ୍ତ ଦିଗ ସମ୍ୱାଦରେ ବର୍ଣ୍ଣନା ସଂଭବପର ହୋଇପାରେନା । ତେବେ କେଉଁ ଦିଗଗୁଡ଼ିକୁ ବାଦ ଦିଆଯିବ ଓ କେଉଁ ଦିଗଗୁଡ଼ିକର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରାଯିବ ମୂଳରୁ ସ୍ଥିର କରାଯାଇପାରିଲେ ତଥ୍ୟ ସଂଗ୍ରହ ଓ ରଚନା ପ୍ରକ୍ରିୟା ସହଜବୋଧ ହୋଇଥାଏ ।


 

ଆଧୁନିକ ଜନଜୀବନରେ ସମ୍ୱାଦ ସରବରାହ ଅବିଚ୍ଛିନ୍ନ ଅଂଗରେ ପରିଣତ ହୋଇସାରିଥିବା ସ୍ଥଳେ କେତେକ ପର୍ଯ୍ୟାୟରେ ସମ୍ୱାଦର ବିକ୍ରୀଯୋଗ୍ୟ ଦକ୍ଷତା ହାସଲ ଅପରିହାର୍ଯ୍ୟ ହୋଇପଡ଼ିଲାଣି । ମୁଦ୍ରଣ, ଟେଲିଭିଜନ ଓ ଅନଲାଇନ ସମ୍ୱାଦ ବିତରଣ ପ୍ରକ୍ରିୟା ଦେୟଯୁକ୍ତମଡ଼େଲକୁ ପରିବର୍ତ୍ତିତ ହେବାରେ ଲାଗିଛି । ସମ୍ୱାଦ ପ୍ରଯୋଜନାରେ ବିପୁଳ ପରିମାଣରେ ଅର୍ଥ, ସମୟ ଓ ସୃଜନ ଉପଯୋଗ ହେଉଥିବା ସ୍ଥଳେ ପୂର୍ବବତ ବିଜ୍ଞାପନ ଦେୟରେ ଭରଣା କରିବା ସମ୍ୱାଦ ଶିଳ୍ପ ପକ୍ଷେ ସମ୍ଭବପର ହୋଇ ପାରୁନାହିଁ । ଏହି ପରିବେଶରେ ସମ୍ୱାଦର ଗୁଣବତ୍ତା ବିକାଶ ହିଁ ବିକ୍ରୀଯୋଗ୍ୟତା ହାସଲ କରିବାରେ ସହାୟକ ହୋଇପାରିବ ।


 

ସତ୍ୟ, ସ୍ୱଚ୍ଛ ଓ ନିରପେକ୍ଷ ସମ୍ୱାଦ ପରିବେଷଣ ନିମନ୍ତେ ସାମାଜିକସ୍ତରରେ ଯତ୍ନ ନିଆଯାଇଥାଏ । ବିଭିନ୍ନ ରାଷ୍ଟ୍ରରେ ସରକାର ଆଇନ ପ୍ରଣୟନ କରି ଗୁଜବ ଓ ଅସତ୍ୟ ସମ୍ୱାଦ ନିୟନ୍ତ୍ରଣ ନିମନ୍ତେ ଉଦ୍ୟମ କରିଥାନ୍ତି ।ସାମ୍ୱାଦିକମାନଙ୍କ ବୃତ୍ତିଗତ ସଂଗଠନ ଓ ନାଗରିକ ସମାଜଗୁଡ଼ିକ ସହାୟତାରେ ସାମ୍ୱାଦିକତାର ଗୁଣବତ୍ତା ବିକାଶ ନିମନ୍ତେ ସମୀକ୍ଷା ଓ ତାଲିମ ଭଳି ପଦକ୍ଷେପମାନ ଗ୍ରହଣ କରାଯାଇଥାଏ ।କ୍ରମଶଃ ସମ୍ୱାଦର ଗୁରୁତ୍ୱ ବୃଦ୍ଧି ସାମ୍ୱାଦିକତାକୁ ପ୍ରଭାବିତ କରୁଥିବା ଲକ୍ଷ୍ୟ କରାଯାଏ ।


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୨


ତଥ୍ୟ:


American Press Institute <www.americanpressinstitute.org>


 

Journalism Essentials : (a) What makes a good story, (b) Good stories use details, (c) Good stories connect to deeper themes, (d) 4 Questions to find focus for your story.

ବିଷୟଭିତ୍ତିକ ସାମ୍ୱାଦିକତା

ମୁଦ୍ରିତ ସମ୍ୱାଦପତ୍ର ସମେତ ବିଭିନ୍ନ ସମ୍ୱାଦ ଉତ୍ପାଦ ଅନିର୍ଦ୍ଦିଷ୍ଟ ବା ସାଧାରଣ ଏବଂ ନିର୍ଦ୍ଦିଷ୍ଟ ବା ବିଷୟଭିତ୍ତିକ ଦୁଇ ବର୍ଗରେ ସମ୍ୱାଦ ପରିବେଷଣ ଆଭିମୁଖ୍ୟ ଗ୍ରହଣ କରିଥାନ୍ତି । ଭାରତରେ ଅଧିକାଂଶ ସମ୍ୱାଦପତ୍ର ସାଧାରଣ ବର୍ଗରେ ଅନ୍ତର୍ଭୁକ୍ତ ହୋଇ ଦୁର୍ଘଟଣା, ମାନବୀୟଭାବାବେଗ ଆଧାରିତ ସମ୍ୱାଦଠାରୁ ଆରମ୍ଭ କରି ରାଜନୀତି, ସଂସ୍କୃତି, ଅର୍ଥନୀତି, କ୍ରୀଡ଼ା, ମନୋରଞ୍ଜନ ଯାଏଁ ବିଭିନ୍ନ କ୍ଷେତ୍ରର ସମ୍ୱାଦ ଏକତ୍ର ପ୍ରକାଶ କରିଥାନ୍ତି । ଅପରପକ୍ଷେ ଖୁବ୍ କମ ସଂଖ୍ୟକ ସମ୍ୱାଦପତ୍ର ଅର୍ଥନୀତି କିମ୍ୱା ମନୋରଞ୍ଜନଭଳି ନିର୍ଦ୍ଧିଷ୍ଟ ବିଷୟରେ ସମ୍ୱାଦ ପ୍ରକାଶନରେ ସୀମିତ ରହିଥାନ୍ତି । ବିଦେଶରେ କ୍ରୀଡ଼ା, ଶିକ୍ଷା ବିଷୟକ ସମ୍ୱାଦପତ୍ରର ଚାହିଦା ଦେଖିବାକୁ ମିଳେ ।


 

ସମ୍ୱାଦପତ୍ରରେ ଅନୁସୃତ ଧାରା ରେଡ଼ିଓ ଓ ଟେଲିଭିଜନ ମଞ୍ଚରେ ପ୍ରତିଫଳିତ । ଭାରତରେ ପ୍ରାୟ ଏକ ଚ଼ତୁର୍ଥାଂଶ ଉପଗ୍ରହଭିତ୍ତିକ ଟେଲିଭିଜନ ଚ୍ୟାନେଲ ସମ୍ୱାଦଧର୍ମୀ ହୋଇଥିବା ସ୍ଥଳେ ତିନିଚ଼ତୁର୍ଥାଂଶ ମନୋରଞ୍ଜନଧର୍ମୀ । ରେଡ଼ିଓରେ ସମ୍ୱାଦ ପ୍ରସାରଣ ସରକାରୀ ପରିଚାଳନାଧୀନ ଆକାଶବାଣୀର ଏକଚ଼ାଟିଆ କର୍ତ୍ତୃତ୍ୱ ଥିବା ହେତୁ ଘରୋଇ ଷ୍ଟେସନଗୁଡ଼ିକ ମନୋରଞ୍ଜନକୁ ଭିତ୍ତିକରି ଗଢ଼ି ଉଠିଥାନ୍ତି । ଦୂରଦର୍ଶନରେ ଶିକ୍ଷା, କୃଷି, ସଂସ୍କୃତି, କ୍ରୀଡ଼ା ବିଷୟକ ସ୍ୱତନ୍ତ୍ର ଟେଲିଭିଜନ ଚ୍ୟାନେଲର ବ୍ୟବସ୍ଥା ରହିଛି ।


 

ଇଣ୍ଟରନେଟ ସାମ୍ୱାଦିକତାରେ ବୈଷୟିକ ସୁବିଧା ସୁଯୋଗ କାରଣରୁ ବ୍ୟାପକ ବିଷୟଭିତ୍ତିକ ସମ୍ୱାଦ ୱେବସାଇଟ, ଇ-ମେଲ ନିଉଜଲେଟର, ବ୍ଳଗ, ପଡ଼କାଷ୍ଟ, ଭିଡ଼ିଓ ପ୍ରସ୍ତୁତି ସମ୍ଭବପର ହୋଇଥାଏ । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଇଣ୍ଟରନେଟ ସାମ୍ୱାଦିକତା ପାରମ୍ପରିକ ମଞ୍ଚଗୁଡ଼ିକୁ ପ୍ରଭାବିତ କରିବାରେ ଲାଗିଛି । ଡ଼ିଜିଟାଲ ମଞ୍ଚଗୁଡ଼ିକରେ ବିଷୟଭିତ୍ତିକ ସାମ୍ୱାଦିକତାରେ ପାଠକ ଓ ଦର୍ଶକମାନେ ଅଭ୍ୟସ୍ତ ହେବାପରେ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ମଞ୍ଚରେ ଅନୁରୂପ ସମ୍ୱାଦ ଉତ୍ପାଦ ଖୋଜିବା ସ୍ୱାଭାବିକ ।


 

ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ମୁଖ୍ୟତଃ ମାଲିକାନା କାରଣରୁ ସାମ୍ୱାଦିକତାରେ ଉତ୍କର୍ଷତା ସାଧନଲାଗି ପରୀକ୍ଷାନିରୀକ୍ଷାରୁ ଦୂରେଇ ରହିଥାନ୍ତି । ବିତ୍ତୀୟ ଓ ସୃଜନ ଉଭୟ ଦିଗରୁ ନିବେଶ ଅଭାବ ସାମ୍ୱାଦିକତା ପରିଧିକୁ ଭରାକ୍ରାନ୍ତ କରିରଖିଛି । ଅଧଡ଼ଜନେ ପ୍ରସାରଣ ସଂଖ୍ୟାରେ ଅଗ୍ରଣୀ ଦୈନିକ ସମ୍ୱାଦପତ୍ରକୁ ଛାଡ଼ି ଦେଲେ ପ୍ରାୟ ଡ଼ଜନେରୁ ଦୁଇ ଡ଼ଜନ ସମ୍ୱାଦପତ୍ରର ବିକାଶ ନିମନ୍ତେ ଦ୍ୱାର ଉନ୍ମୁକ୍ତ ରହିଥିଲେହେଁ ସେଗୁଡ଼ିକ ସରକାରୀ ବିଜ୍ଞାପନ ଆଶ୍ରିତ ମଡ଼େଲରୁ ବାହାରିଯିବା ନିମନ୍ତେ ଉଦ୍ୟମର ଅଭାବ ଅନୁଭୂତ ହୋଇଥାଏ । ପରିବର୍ତ୍ତନ ଲାଗି ଏଦିଗରେ ସଚ଼େତନତା ଅଭାବ ମଧ୍ୟ ଅନଗ୍ରସରତାର ଏକ କାରଣ ରୂପେ ଚ଼ିହ୍ନଟ କରାଯାଇପାରେ ।


 

ସର୍ବାଧିକ ପ୍ରସାରିତ ମୁଦ୍ରିତ ଦୈନିକ ସମ୍ୱାଦପତ୍ର ସାଧାରଣ ବର୍ଗ ସମ୍ୱାଦ ପରିବେଷଣରେ ସଂପୃକ୍ତ ରହୁଥିବା ବେଳେ ଦ୍ୱିତୀୟ, ତୃତୀୟ ଓ ଚ଼ତୁର୍ଥ ସ୍ଥାନିତ ସମ୍ୱାଦପତ୍ରଗୁଡ଼ିକ ବିଜ୍ଞାପନ ସଂଗ୍ରହ କାରଣରୁ ସାଧାରଣ ବର୍ଗରେ ସାମିଲ ହେଉଥିଲେହେଁ ପ୍ରଥମକୁ ପ୍ରତିଯୋଗିତାରେ ଟକ୍କର ଦେବା ନିମନ୍ତେ ଆଂଶିକଭାବେ ସ୍ୱତନ୍ତ୍ର ବିଷୟଭିତ୍ତିକ ସାମ୍ୱାଦିକତାରେ ମନୋନିବେଶ କରିବା ଯୁକ୍ତିଯୁକ୍ତ । ଏହା ଫଳରେ ପ୍ରଥମର ଅନୁଗାମୀ ନହୋଇ ନିଜସ୍ୱ ସ୍ଵତନ୍ତ୍ରତା ଜରିଆରେ ନିର୍ଦ୍ଦିଷ୍ଟ ଶ୍ରେଣୀର ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ । ମହିଳା, ବିଦ୍ୟାର୍ଥୀ, ବରିଷ୍ଠ ନାଗରିକମାନେ ଓଡ଼ିଆ ସମ୍ୱାଦପତ୍ର ପାଠକଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବା ହେତୁ ସେମାନଙ୍କୁ ସୁହାଇଲାଭଳି ସମ୍ୱାଦ ପ୍ରଯୋଜନା ପାଠକସଂଖ୍ୟା ଓ ପ୍ରସାର ବୃଦ୍ଧିରେ ସହାୟକ ହୋଇପାରିବା ଆଶା ଉଜ୍ୱଳ ।


 

ବିଷୟଭିତ୍ତିକ ସାମ୍ୱାଦିକତାକୁ କିଛି ପ୍ରବନ୍ଧ ପ୍ରକାଶନରେ ସୀମାବଦ୍ଧ ନରଖି ଏକ କିମ୍ୱା ତତୋଧିକ ପୃଷ୍ଠାରେ ସାମଗ୍ରୀକ ସାମ୍ୱାଦିକତା ପରିପ୍ରକାଶ ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରିତ ହେବା ଆବଶ୍ୟକ । ଅର୍ଥାତ ନିର୍ଦ୍ଧିଷ୍ଟ ବର୍ଗର ଜନଜୀବନ ସଂପର୍କୀତ ସମ୍ୱାଦ, ସାକ୍ଷାତକାର, ସ୍ତମ୍ଭ, ଅନୁଶୀଳନାତ୍ମକ ଓ ଅନୁସନ୍ଧାନାତ୍ମକ ଲଳିତ ନିବନ୍ଧ ସାଙ୍ଗକୁ ବ୍ୟବହାର୍ଯ୍ୟ ସୂଚ଼ନାଧର୍ମୀ ରଚ଼ନାକୁ ଅଗ୍ରାଧିକାର ଦେବାକୁ ପଡ଼ିବ । ପୁଣି ଏହା ସାପ୍ତାହିକ ପୃଷ୍ଠା ବଦଳରେ ଦୈନନ୍ଦିନ ଆଙ୍ଗୀକରେ ସାମିଲ ହେବା ଉଚ଼ିତ ।


 

ଗଣମାଧ୍ୟମ ଅନୁଧ୍ୟାନରୁ ଜଣାଯାଏ ଯେ ଏଣିକି ସମ୍ୱାଦ ପାଠକ ଓ ଦର୍ଶକମାନେ ବିଷୟବସ୍ତୁକୁ ଗୁରୁତ୍ୱ ଦେଉଛନ୍ତି । ଏହିକାରଣରୁ ବିଷୟଭିତ୍ତିକ ସାମ୍ୱାଦିକତା ଅନୁଗତ ପାଠକ ମଣ୍ଡଳୀ ସହ ନୂତନ ପାଠକଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇପାରିବ । ଏହା ସମ୍ୱାଦ ପ୍ରକାଶନର ଅର୍ଥନୀତିକୁ ପ୍ରଭାବିତ କରିବ । ପଛୁଆବର୍ଗର ଓଡ଼ିଆ ଦୈନିକ ସମ୍ୱାଦପତ୍ରଗୁଡ଼ିକ ବିଷୟଭିତ୍ତିକ ସାମ୍ୱାଦିକତା ଶୈଳୀ ବ୍ୟବହାର କଲେ ସେମାନଙ୍କ ପକ୍ଷେ ସରକାରୀ ବିଜ୍ଞାପନ ଆଶ୍ରିତ ମଡ଼େଲ ବଦଳରେ ଗ୍ରାହକଚ଼ାନ୍ଦାଭିତ୍ତିକ ତଥା ପ୍ରସାର ସଂଖ୍ୟା ବଢ଼ିଲେ ବିଷୟଭିତ୍ତିକ ବ୍ୟାବସାୟିକ ବିଜ୍ଞାପନ ମଡ଼େଲକୁ ସ୍ଥାନାନ୍ତରୀକରଣ ସଂଭବ ।


 

ପ୍ରକାଶ ପାଇଆସୁଥିବା ଦୈନିକ ସମ୍ୱାଦପତ୍ରଗୁଡ଼ିକ ବିଷୟଭିତ୍ତିକ ସାମ୍ୱାଦିକତାକୁ ପରିବର୍ତ୍ତିତ ହେବା ଅବସରରେ କୃଷି, ଅର୍ଥନୀତି, ଶିକ୍ଷା, କ୍ରୀଡ଼ା ବା ମନୋରଞ୍ଜନ ଇତ୍ୟାଦି ବିଷୟ କିମ୍ୱା କୌଣସି ଭୌଗଳିକ ପରିସୀମା ଆଧାରିତ ସାମ୍ୱାଦିକତାକୁ ଚ଼ିହ୍ନଟ କରିବାକୁ ପଡ଼ିବ । ଭଦ୍ରକ, ଭବାନୀପାଟଣା ବା ପାରଳାଖେମୁଣ୍ଡିରୁ ପ୍ରକାଶିତ ସମ୍ୱାଦପତ୍ର ପ୍ରଥମ ପୃଷ୍ଠାରେ ରାଜଧାନୀ ଭୁବନେଶ୍ୱର ବା ଦିଲ୍ଲୀ ବଦଳରେ ସଂପୃକ୍ତ ସହରର ସମ୍ୱାଦରେ ଅଳଂକୃତ ହେବା ଆବଶ୍ୟକ । ଗତ ଶତାଦ୍ଦୀର ଅଷ୍ଟମଦଶକରେ ବ୍ରହ୍ମପୁରରୁ ପ୍ରକାଶିତ ସାଂଧ୍ୟ ସମ୍ୱାଦପତ୍ର ‘ଦୈନିକ ଆଶା’ ପ୍ରଥମ ପୃଷ୍ଠାରେ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ସମ୍ୱାଦ ସ୍ଥାନିତ କରାଯିବା ହେତୁ ୧୯୮୨ରେ ପୁନଃସଂସ୍ଥାପନର ଦୁଇ ତିନି ମାସ ମଧ୍ୟରେ ଆଶାତୀତ ପାଠକୀୟ ଆଦୃତି ଲାଭ କରିପାରିଥିଲା । ବ୍ରହ୍ମପୁର ସହରରୁ ବର୍ତ୍ତମାନ ଅଧଡ଼ଜନେ ସମ୍ୱାଦପତ୍ରର ସଂସ୍କରଣ ପ୍ରକାଶ ପାଉଥିଲେହେଁ ‘ଦୈନିକ ଆଶା’ର ଅନୁଭୂତି ପାଠକ ମହଲରେ ପ୍ରତିବିମ୍ୱିତ ହୋଇପାରି ନାହିଁ । (ଘୋଷଣା : ପ୍ରବନ୍ଧ ଲେଖକ ‘ଦୈନିକ ଆଶା’ର ପ୍ରକାଶନ ସହ ଜଡ଼ିତ ଥିଲେ )


 

ବିଷୟଭିତ୍ତିକ ସାମ୍ୱାଦିକତା ପ୍ରବର୍ତ୍ତନ କାଳରେ ସମ୍ପାଦକୀୟ ନୀତି ପ୍ରସ୍ତୁତି ଅବସରରେ ସଂପୃକ୍ତ ସମ୍ୱାଦପତ୍ରର ସାମ୍ୱାଦିକମାନେ କେଉଁ ବିଷୟରେ ଦକ୍ଷତା ହାସଲ କରିପାରିଛନ୍ତି, ଲକ୍ଷ୍ୟବଦ୍ଧ ପାଠକମାନେ କ’ଣ ଚାହୁଁଛନ୍ତି ଏବଂ ପ୍ରସ୍ତାବିତ ବିଷୟକେନ୍ଦ୍ରୀକ ସମ୍ୱାଦ ପ୍ରସାରଣରେ କ’ଣ ସବୁ ଅଭାବ ଲାଗି ରହିଛି ତାହା ବିଚାରକୁ ନେବା ଆବଶ୍ୟକ । ସର୍ବୋପରି କେବଳ ବିଚ୍ଛୁରିତଭାବେ କିଛି ସମ୍ୱାଦ ପ୍ରକାଶନରେ ସୀମାବଦ୍ଧ ନରହି ସାମଗ୍ରୀକଭାବେ ସମ୍ୱାଦ ଓ ଅଭିମତ ସମ୍ୱଳିତ ପ୍ୟାକେଜ ପ୍ରସ୍ତୁତ କରିବାକୁ ପଡ଼ିବ ।


 

ମୁଦ୍ରିତ ସମ୍ୱାଦପତ୍ର ସହିତ ଅନ୍ୟାନ୍ୟ ସମସ୍ତ ସମ୍ୱାଦ ଉତ୍ପାଦ ପ୍ରଯୋଜନାରେ ବିଷୟଭିତ୍ତିକ ସାଂବାଦିକତା ଗୁରୁତ୍ୱ ବହନ କରିଥାଏ । ୨୦୨୦ ବେଳକୁ ଡ଼ିଜିଟାଲ ମଞ୍ଚ ଯୋଗେ ପାଠକ ଓ ଦର୍ଶକ, ଭୌଗଳିକ, ଭାଷାଗତ ଓ ସାଂସ୍କୃତିକ ସୀମାପାର ସାମ୍ୱାଦିକତା ଉପତ୍ୟକାରେ ଉପନୀତ ହୋଇସାରିଥିବା ସ୍ଥଳେ ସମ୍ୱାଦ ଉତ୍ପାଦଗୁଡ଼ିକ ନିର୍ଦ୍ଧିଷ୍ଟ ବିଷୟ, ଦୃଷ୍ଟିକୋଣ ବା ରୁଚି ଇତ୍ୟାଦିରେ ରୁଦ୍ଧିମନ୍ତ ହେଲେହିଁ ସେଗୁଡ଼ିକର ପ୍ରାସଙ୍ଗିକତା ରହିବ । ଭବିଷ୍ୟତରେ ଏହି ଆବଶ୍ୟକତା ଦୃଢ଼ ହେବା ଆଶା କରାଯାଇପାରେ ।


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୪ ଜାନୁୟାରୀ ୨୦୨


ତଥ୍ୟ:


Owen, Laura Hazard. The Marshall Project, an early model for single-subject non profit news sites turns five today (and got a shootout on jeopardy last night) Nov 15, 2019 <www.niemanlab.org/2019/11/the-marshal-project...>


 

Tran, Millie. How to build audiences with single subject news products. May 7, 2015 <www.americanpressinstitute.org>



ସୂଚନା-ପ୍ରାଚୁର୍ଯ୍ୟ ପରିବେଶ

ଭାରତରେ ଇଣ୍ଟରନେଟ ବ୍ୟାପ୍ତି ଓ ସ୍ମାର୍ଟଫୋନ ବହୁଳ ବ୍ୟବହାର ଉପଭୋକ୍ତାଙ୍କ ଗହଣରେ ଦୁଇଗୋଟି ମୁଖ୍ୟ ଅମୀମାଂସିତ ସମସ୍ୟା ସୃଷ୍ଟି କରିଛି । ପ୍ରଥମତଃ, ହାତପାଆନ୍ତାରେ ଦିବାରାତ୍ରୀ ୨୪ ଘଣ୍ଟା ସ୍ମାର୍ଟଫୋନ ଉପଲବ୍ଧ ହେବା ଫଳରେ ବ୍ୟକ୍ତିଗତସ୍ତରରେ ଅନଲାଇନ ଉପସ୍ଥିତି କ୍ରମଶଃ ଦୀର୍ଘରୁ ଦୀର୍ଘତର ହୋଇଚାଲିଛି । ଗଣମାଧ୍ୟମ ଗବେଷଣା ସଂସ୍ଥା ‘କମସ୍କୋର’ର ତଥ୍ୟ ଅନୁଯାୟୀ ୨୦୨୨ ଆରମ୍ଭ ସୁଦ୍ଧା ଭାରତୀୟ ଇଣ୍ଟରନେଟ ଉପଭୋକ୍ତାମାନେ ଅନଲାଇନରେ ହାରାହାରି ଦୈନିକ ୨.୨ ଘଣ୍ଟା କାଟୁଥିବା ଜଣାଯାଇଥିଲା । ଏଥି ସହ ଟେଲିଭିଜନ ଦେଖାରେ ହାରାହାରି ଚାରି ଘଣ୍ଟା ଓ ଅନ୍ୟାନ୍ୟ ଗଣମାଧ୍ୟମରେ ସଂପୃକ୍ତିକୁ ଯୋଗ କଲେ ପାଖାପାଖି ସାତରୁ ଆଠଘଣ୍ଟା ହିସାବ କରାଯାଇଥିଲା ।

 

ଦ୍ୱିତୀୟତଃ, ଗଣମାଧ୍ୟମ ମଞ୍ଚଗୁଡ଼ିକର ସଂଖ୍ୟା ବୃଦ୍ଧି ଫଳରେ ପାଠ୍ୟ, ଦୃଶ୍ୟ ଓ ଶ୍ରାବ୍ୟ ଉପାଦାନ ‘କଣ୍ଟେଣ୍ଟ’ର ପ୍ରାଚୁର୍ଯ୍ୟ ଉପଭୋକ୍ତାଙ୍କ ନିମନ୍ତେ ନିର୍ବାଚ଼ନ ଦ୍ୱନ୍ଦ ‘ସିଲେକସନ କନଫ୍ଳିକ୍ଟ’ ତୀବ୍ରରୂପ ଧାରଣ କରିବାରେ ଲାଗିଛି । ଆନ୍ତର୍ଜାତିକ, ରାଷ୍ଟ୍ରୀୟ, ରାଜ୍ୟ ଓ ଆଞ୍ଚଳିକସ୍ତର ସାଙ୍ଗକୁ ବିଷୟଭିତ୍ତିକ ‘ସବଜେକ୍ଟିଉଭ’ ସୂଚନା, ସମ୍ୱାଦ, ଅଭିମତ, ଶିକ୍ଷଣୀୟ ଓ ମନୋରଞ୍ଜନଧର୍ମୀ ଉପାଦାନ ଭିଡ଼ରେ କେଉଁଗୁଡ଼ିକ ଆହରଣ କରାଯିବ ନିର୍ବାଚନରେ ସମସ୍ୟା ଉପୁଜିଥାଏ । ଭାରତରେ ୨୦୨୨ ଆରମ୍ଭ ସୁଦ୍ଧା ୯୦୦ ଟେଲିଭିଜନ ଚ୍ୟାନେଲ, ୮୬୦ ରେଡ଼ିଓ ଚ୍ୟାନେଲ, ୬୦ ଭିଡ଼ିଓ ଷ୍ଟ୍ରୀମିଂ ଏବଂ ୧୫ ମ୍ୟୁଜିକ ଷ୍ଟ୍ରୀମିଂ ମଞ୍ଚ ଉପଲବ୍ଧ ।

 

ଏହି ପରିବେଶ ଉପଭୋକ୍ତାଙ୍କ ନିମନ୍ତେ ଏକପକ୍ଷରେ ଉଦବିଗ୍ନତା ‘ଏଙ୍ଗଜାଇଟି’ ସୃଷ୍ଟି କରୁଥିବା ସ୍ଥଳେ ଅପରପକ୍ଷେ ଗଣମାଧ୍ୟମ ମଞ୍ଚ ଆହରଣ ସମୟସୀମା ବୃଦ୍ଧିରେ ପର୍ଯ୍ୟବସିତ ହେଉଛି । ଦୈନିକ ୨୪ ଘଣ୍ଟାରୁ ଆଠ ଘଣ୍ଟା ନିଦ୍ରା ଓ ଆଠ ଘଣ୍ଟା ବୃତ୍ତିଗତ କର୍ମନିଯୁକ୍ତିରେ ବାଦ ଦେଲେ ବଳକା ଆଠ ଘଣ୍ଟା ଗମମାଧ୍ୟମରେ ସଂପୃକ୍ତି ସ୍ୱାଭାବିକ ଜୀବନଯାତ୍ରାରେ ବିଘଟନ ସୃଷ୍ଟି କରିବା ସ୍ୱାଭାବିକ । ଫଳରେ ଗଣମାଧ୍ୟମ ନିଦ୍ରା କିମ୍ୱା କର୍ମନିର୍ଘଣ୍ଟରେ ଅନୁପ୍ରବେଶ କରୁଛି ଏବଂ ବିଶୃଙ୍ଖଳାର କାରଣ ପାଲଟୁଛି ।

 

ବିଶେଷଜ୍ଞମାନଙ୍କ ଅନୁଶୀଳନରେ ବିଶ୍ୱବ୍ୟାପୀ ଇଣ୍ଟରନେଟ ପ୍ରସାର ଏବଂ ବ୍ୟକ୍ତିଠାରୁ ଆରମ୍ଭ କରି ଗୋଷ୍ଠୀ, ଅନୁଷ୍ଠାନ, ପ୍ରଶାସନ, ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପ୍ରଶାସନ, ମନୋରଞ୍ଜନଠାରେ ଶେଷ ନହୋଇ ‘ଡ଼ାର୍କ-ୱେବ’ରେ ଅପରାଧିକ କାର୍ଯ୍ୟକଳାପ ଜନଜୀବନର ପ୍ରତ୍ୟେକଟିସ୍ତର ପରସ୍ପର ସହ ଯୋଡ଼ି ହୋଇ ସାର୍ବଜନୀନ ମଞ୍ଚ ପ୍ରଯୋଜନାରେ ସମର୍ଥ ହୋଇପାରିଥିବା ସ୍ଥଳେ ଏହି ପ୍ରଗତି ନିମନ୍ତେ ଉପଭୋକ୍ତାଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି । ସୂଚନାର ପ୍ରାଚୁର୍ଯ୍ୟ ଅସ୍ପଷ୍ଟ ସୂଚନା ‘ଇନଫରମେସନ ବ୍ଳର’ରେ ପରିବର୍ତ୍ତିତ ହେଉଛି । ଅର୍ଥାତ, କନେକ୍ଟଡ଼ ପରିବେଶରେ ଆମେ ଗୋଟିଏ ବିଷୟ ସଂପର୍କରେ ତଥ୍ୟ ଖୋଜି ବାହାର କରିବାକୁ ଚ଼େଷ୍ଟା କରିବାବେଳେ ଏତେ ସଂଖ୍ୟକ ସୂଚନାର ସମ୍ମୁଖୀନ ହେଉଛୁ ଯେ ଆମେ କେଉଁଟିକୁ ଗ୍ରହଣ କରିବୁ ବା କେଉଁଟିକୁ ଗ୍ରହଣ ନକରିବୁ ତ ଦୂରକଥା, କେଉଁଟିକୁ ପଢ଼ିବୁ ବା କେଉଁଟିକୁ ନପଢ଼ିବୁ କିମ୍ୱା କେଉଁଟିକୁ ପ୍ରଥମେ ପଢ଼ିବୁ ସେହି ନିଷ୍ପତ୍ତି ଗ୍ରହଣ କଷ୍ଟକର ହୋଇପଡୁଛି ।

 

ସୂଚ଼ନା-ପ୍ରାଚୁର୍ଯ୍ୟ ପରିବେଶରେ ବାରମ୍ୱାର ସମ୍ମୁଖୀନ ହେବାଦ୍ୱାରା ବ୍ୟକ୍ତିଗତସ୍ତରରେ କାର୍ଯ୍ୟଦକ୍ଷତା ଓ ସୃଜନ ପ୍ରକ୍ରିୟାରେ ବିଘ୍ନ ପହଞ୍ଚୁଥିବା ଗବେଷଣାରୁ ଜଣାଯାଇଥିବା ‘ହାର୍ଭାଡ଼ ବିଜିନେସ ରିଭ୍ୟୁ’ରେ ପ୍ରକାଶିତ ଏକ ପ୍ରବନ୍ଧରେ ପାଉଲ ହେମ୍ପ ଦର୍ଶାଇଥିଲେ । ତାଙ୍କ ବିଚାରରେ ପଞ୍ଚଦଶ ଶତାଦ୍ଦୀ ମଧ୍ୟଭାଗରେ ଗୁଟେନବର୍ଗଙ୍କ ଦ୍ୱାରା ମୁଦ୍ରଣଯନ୍ତ୍ର ଉଦ୍ଭାବନପରଠାରୁ ସୂଚ଼ନା-ପ୍ରାଚୁର୍ଯ୍ୟ ‘ଇନଫରମେସନ ଓଭରଲୋଡ଼’ ସମସ୍ୟା କ୍ରମଶଃ ଜନଜୀବନକୁ ଆଚ୍ଛାଦିତ କରିବାରେ ଲାଗିଛି । ମୁଦ୍ରିତ ପୃଷ୍ଠାରେ ବିତରିତ ଜ୍ଞାନ ଜଣେ ମନୁଷ୍ୟର ଜୀବନକାଳ ମଧ୍ୟରେ ଯେତିକି ପରିମାଣରେ ଅଧ୍ୟୟନ ସମ୍ଭବ ତାହାଠାରୁ ଢ଼େର ଅଧିକ ସୂଚନା ଉପସ୍ଥାପିତ କରିବା ଧାରା ଆରମ୍ଭ ହୋଇଥିଲା ଏବଂ ତାହା କ୍ରମଶଃ ବଢ଼ିଚାଲିଛି ।

 

ପରବର୍ତ୍ତୀ ପର୍ଯ୍ୟାୟରେ କାରବନ-ପେପରଠାରୁ ଆରମ୍ଭ କରି ଫୋଟ-କପିଏର ମେସିନ ଯାଏଁ ବିଭିନ୍ନ ବୈଷୟିକ ଉଦ୍ଭାବନ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତପାଆନ୍ତାରେ ପାଠ୍ୟ ଓ ଚ଼ିତ୍ର ନକଲ କରିବା କଳାକୌଶଳ ପହୁଞ୍ଚାଇ ଦେଲା । କିନ୍ତୁ ଡ଼ିଜିଟାଲ ପଦ୍ଧତିର ବିକାଶ ସୂଚ଼ନା-ପ୍ରାଚୁର୍ଯ୍ୟର ସୀମାସରହଦକୁ ଭୌଗଳିକ ସୀମାପାର ପର୍ଯ୍ୟାୟକୁ ଉନ୍ନୀତ କଲା । ଡିଜିଟାଲ ବୈଷୟିକ ପ୍ରଗତିର ଅନ୍ୟ ଏକ ବୈଶିଷ୍ଟ୍ୟ ପ୍ରାୟତଃ ବିନାମୂଲ୍ୟରେ ଏବଂ ଯେକୌଣସି ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ପର୍ଯ୍ୟାପ୍ତ ପ୍ରକାଶନର ସୁବିଧା ସୁଯୋଗ ଯୋଗାଇଦେବାରେ ପର୍ଯ୍ୟବସିତ । ମୁଦ୍ରଣ ଶିଳ୍ପ ପ୍ରତିଷ୍ଠା ପରଠାରୁ ମୁଦ୍ରିତ ପୃଷ୍ଠା ପ୍ରକାଶନ ଓ ବିତରଣ ନିମନ୍ତେ ଦକ୍ଷତା, ଅର୍ଥ ଓ ସଂଗଠନର ଆବଶ୍ୟକତା ଡ଼ିଜିଟାଲ ପରିବେଶରେ ଉଭେଇ ଗଲା ।

 

ନୀତିଗତଭାବେ ଡିଜିଟାଲ ମାଧ୍ୟମ ଉପଯୋଗରେ ସୂଚ଼ନା ପ୍ରସାରଣ ଗଣତାନ୍ତ୍ରିକ ଆଙ୍ଗିକ ଧାରଣ କରିଥିଲେହେଁ ବାସ୍ତବକ୍ଷେତ୍ରରେ ପ୍ରଭାବଶାଳୀ ଅର୍ଥ ବ୍ୟୟ , ଆଇନ ଉପଯୋଗ ଓ ଅନୁଚ଼ିତ ବ୍ୟବହାରରେ କରାୟିତ କରିଥାନ୍ତି । ଅଭିବ୍ୟକ୍ତିରେ ସ୍ୱାଧୀନତା ଅନେକ ସମୟରେ ଅପହଞ୍ଚ ଇଲାକାରେ ପଡ଼ି ରହେ । ଅବଶ୍ୟ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ରାଜନୀତିକ ବିରୋଧ ବା ଯୁଦ୍ଧ ଭଳି ସଂକଟଜନକ ପରିସ୍ଥିତିରେ ସୋସିଆଲ ମିଡ଼ିଆ ଅସାଧ୍ୟସାଧନର ବହୁ ଉଦାହରଣ ଆମେ ଦେଖିବାକୁ ପାଉ ।

 

ଜନସାଧାରଣଙ୍କ ଦୈନନ୍ଦିନ ଜୀବନରେ ଗଣମାଧ୍ୟମରେ ଦୀର୍ଘ ସମୟ ସଂପୃକ୍ତି ସୂଚ଼ନା-ପ୍ରାଚୁର୍ଯ୍ୟ ସମସ୍ୟା ସାଙ୍ଗକୁ ଡିଜିଟାଲ ଆସକ୍ତି ଭଳି ସମସ୍ୟାର ମଧ୍ୟ କାରଣ ପାଲଟିଛି । କୁହାଯାଏ ଯେ ବିଭିନ୍ନ ନିଶାଦ୍ରବ୍ୟ ସେବନ, ଜୁଆ ଖେଳ ଇତ୍ୟାଦି ଅଭ୍ୟାସରୁ ବ୍ୟକ୍ତିବିଶେଷ ଅନ୍ୟାନ୍ୟ ଲାଭ କ୍ଷତିର ହିସାବ ବ୍ୟତୀତ ମାନସିକସ୍ତରରେ ଆନନ୍ଦ ଅନୁଭବ କରିଥାନ୍ତି । ତେଣୁ ସେହି ପ୍ରକ୍ରିୟାର ମୋହରୁ ମୁକ୍ତି ପାଇପାରନ୍ତି ନାହିଁ । ସ୍ଥଳବିଶେଷରେ ବ୍ୟକ୍ତିର ହିତାହିତ ଜ୍ଞାନ, ଆର୍ଥିକ, ପାରିବାରିକ ଓ ସାମାଜିକ ଚାପ ଆଗ୍ରହକୁ ନିୟନ୍ତ୍ରିତ କରିପାରେ ନାହିଁ ।

 

ଡ଼ିଜିଟାଲ ମିଡ଼ିଆରେ ସ୍ମାର୍ଟଫୋନ ସଂଲଗ୍ନ ବିଭିନ୍ନ ଆପ୍ଳିକେସନ ଉପଭୋକ୍ତାଙ୍କୁ ସଂପୃକ୍ତ ‘ଏଙ୍ଗେଜେଡ଼’ କରାଇବା ଆଭିମୁଖ୍ୟ ନେଇ ପ୍ରସ୍ତୁତ ହେଉଥିବା ଯୋଗୁଁ ଏହାର ମାଦକତା ବିସ୍ତୃତ ଜନସଂଖ୍ୟାକୁ ଗ୍ରାସ କରିଥାଏ । ସ୍ମାର୍ଟଫୋନ ଆସକ୍ତି ଏପରି ପରିସ୍ଥିତିରେ ପହଞ୍ଚିଲାଣି ଯେ ସ୍ଥଳବିଶେଷରେ ମାନସିକ ଚ଼ିକିତ୍ସାର ସହାୟତା ନେବାକୁ ପଡୁଛି । ଆମ ଦେଶରେ ବାଙ୍ଗାଲୁରଠାରେ ୨୦୧୪ରେ ପ୍ରଥମ ସ୍ମାର୍ଟଫୋନ ଆସକ୍ତି ମୁକ୍ତି କେନ୍ଦ୍ର ସ୍ଥାପିତ ହୋଇଥିବା ସ୍ଥଳେ ୨୦୧୯ରୁ ପୁନେ, ଉତ୍ତର ପ୍ରଦେଶ ଓ ଅମୃତସର ପ୍ରଭୃତି ସହରରେ ଆରମ୍ଭ ହୋଇଛି ।

 

ସ୍ମାର୍ଟଫୋନ ଆସକ୍ତି ନିମନ୍ତେ ଚାପଗ୍ରସ୍ତ ଭାବଗତ ‘ଇମୋସନାଲ’ ବ୍ୟକ୍ତିଗତ ଓ ସାମାଜିକ ଜୀବନକୁ ଦାୟୀ କରାଯାଇଥାଏ । ଏହିଭଳି ଅବସ୍ଥାରୁ ମୁକୁଳିବା ତଥା ଚ଼ିକିତ୍ସାର ଫଳାଫଳ ପ୍ରାପ୍ତି ବିଳମ୍ୱ ହୋଇଥାଏ । ଚ଼ିକିତ୍ସା କେନ୍ଦ୍ରରେ ପହଞ୍ଚୁଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ମାତ୍ର ୪୦ ପ୍ରତିଶତ ଚ଼ିକିତ୍ସା ସଂପୂର୍ଣ୍ଣ କରିବାରେ ସହଯୋଗ କରୁଥିବା ଜଣାଯାଏ । ବହୁ କ୍ଷେତ୍ରରେ ଆକ୍ରାନ୍ତ ଚ଼ିକିତ୍ସିତ ହୋଇ ସାମାନ୍ୟ ଉନ୍ନତ ପରିସ୍ଥିତିରେ ଉପନୀତ ହେବା ପରେ ପୁଣି ଆସକ୍ତ ହେଉଥିବା ଦେଖିବାକୁ ମିଳେ । ସୂଚ଼ନା ପ୍ରାଚୁର୍ଯ୍ୟ ଓ ସ୍ମାର୍ଟଫୋନ ଆସକ୍ତି ସମସ୍ୟା ସମାଧାନର ରାସ୍ତା ପ୍ରାୟ ଖୋଜି ପାଇହେଉନାହିଁ ! 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ମାର୍ଚ୍ଚ ୨୦୨


ତଥ୍ୟ:


Kohli- Khandekar, Vanita. A gluttony of content. Business Standard (Bhubaneswar Edition). March 18, 2022.

 

Hemp, Paul. Death by information overload. Harvard Business Review. September 2009. hbr.org.

 

Yadav, Jyoti. #Generation No Where : India’s young are fighting an invisible epidemic, Smartphone addiction. The Print/ March 20, 2022.

 

https://theprint.in/features/generationnowhere-indias-young-are-fighting-an-invisible-epidemic-smartphone-addiction/880750/

ସମ୍ୱାଦ ବିମୁଖ ପରିବେଶ

ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭରେ ଗଣମାଧ୍ୟମର ନବୀନତମ ସୋପାନ ସାମାଜିକ ଗଣମାଧ୍ୟମର ପ୍ରସାର ଏବଂ ସେଥିରେ ଦୈନନ୍ଦିନଭିତ୍ତିରେ ଉପଭୋକ୍ତାଙ୍କ ସଂପୃକ୍ତି ବୃଦ୍ଧି ପାଇଚାଲିଥିବା ସ୍ଥଳେ ସମ୍ୱାଦ ମଞ୍ଚ ବିମୁଖ ‘ନିଉଜ ଆଭଏଡ଼ାନ୍ସ’ ଚ଼ିନ୍ତାର କାରଣ ପାଲଟିଛି । ବିଶେଷଜ୍ଞମାନେ ଗବେଷଣାଲବ୍ଧ ତଥ୍ୟ ଉଦ୍ଧାର କରି କହୁଛନ୍ତି ଜନସାଧାରଣ ଅପେକ୍ଷାକୃତ ଅଧିକ ସମୟ ବିଭିନ୍ନ ଗଣମାଧ୍ୟମ ମଞ୍ଚରେ ଉପସ୍ଥିତ ରହୁଥିଲେ ହେଁ  କ୍ରମଶଃ ସମ୍ୱାଦ ମଞ୍ଚ ନିମନ୍ତେ ସମୟ କାଟଛାଟ କରିବା ଧାରା ପ୍ରବର୍ତ୍ତିତ ହେବାରେ ଲାଗିଛି । ବିକଶିତ ରାଷ୍ଟ୍ରଗୁଡ଼ିକରେ ସମ୍ୱାଦମଞ୍ଚର ଡିଜିଟାଲ ରୂପାନ୍ତରୀକରଣ ହୋଇସାରିଥିବା ତଥା କରୋନାଭୂତାଣୁ ସଂକ୍ରମଣଜନିତ ମହାମାରୀ କାଳରେ ସମ୍ୱାଦମଞ୍ଚର ଗୁରୁତ୍ୱ ବୃଦ୍ଧି ପାଇଥିବା ସ୍ଥଳେ ମହାମାରୀ-ପର ପରିବେଶରେ ଉପଭୋକ୍ତାଙ୍କ କ୍ଷେତ୍ରରେ ସମ୍ୱାଦ ବିମୁଖ ମନୋଭାବ ସମ୍ୱାଦ ଶିଳ୍ପର ଭବିଷ୍ୟତକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି ।

 

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ‘ରଏଟର ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ପକ୍ଷରୁ ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୨’ ଜୁନ ମଧ୍ୟଭାଗରେ ପ୍ରକାଶିତ ହୋଇଥିଲା । ଅନୁଷ୍ଠାନ ପକ୍ଷରୁ ୨୦୧୨ରୁ ପ୍ରତିବର୍ଷ ଏହି ରିପୋର୍ଟ ପ୍ରକାଶନ ଜାରି ରହିଛି । ରିପୋର୍ଟ ପ୍ରସ୍ତୁତି ନିମନ୍ତେ ୨୦୨୨ ଜାନୁୟାରୀ ଓ ଫେବୃୟାରୀ ଦୁଇମାସ ଧରି ଏକ ବଡ଼ ଧରଣର ସର୍ବେକ୍ଷଣ ‘ସର୍ଭେ’ ଆୟୋଜନ କରାଯାଇଥିଲା । ଏଥିରେ ୪୬ ଗୋଟି ରାଷ୍ଟ୍ରର ୯୩ ହଜାର ବ୍ୟକ୍ତି ଅନଲାଇନ ସର୍ଭେରେ ଅଂଶଗ୍ରହଣ କରିଥିଲେ । ଏତଦ୍ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ବ୍ରାଜିଲକୁ ସ୍ୱତନ୍ତ୍ର ଅଧ୍ୟୟନବର୍ଗ ‘ଫୋକସ ଗୃପ’ ଭାବେ ଗ୍ରହଣ କରାଯାଇଥିଲା । ଭାରତରେ ଏହି ରିପୋର୍ଟ ପ୍ରସ୍ତୁତିରେ ୨୦୨୧ରୁ ସାମିଲ ହୋଇଛି ।

 

‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୨’ରେ କ୍ରମବିକଶିତ ଚାରିଗୋଟି ଗଣମାଧ୍ୟମ ସମସ୍ୟାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏଥିରେ ସମ୍ୱାଦ ପ୍ରତି ଆଗ୍ରହ ହ୍ରାସ, ସମ୍ୱାଦ ମଞ୍ଚରେ ଉପସ୍ଥିତିକୁ ଏଡ଼ାଇଯିବା, ଦର୍ଶକ ବିଭାଜନ ବା ଧ୍ରୁବଣ ‘ପୋଲାରାଇଜେସନ’ ଏବଂ ଯୁବ ଉପଭୋକ୍ତାଙ୍କ ସମ୍ୱାଦ ଆହରଣରେ ବିଘଟନ ଅନ୍ତର୍ଭୁକ୍ତ । ସାମଗ୍ରିକଭାବେ ରଏଟର ଇନଷ୍ଟିଟିଉଟ ପକ୍ଷରୁ ରିପୋର୍ଟରେ ଏହାକୁ ସମ୍ୱାଦ ବିମୁଖ ପରିବେଶ ‘ସିଲେକ୍ଟିଭ ନିଉଜ ଆଭଏଡ଼ାନ୍ସ’ ନାମିତ କରାଯାଇଛି । ରିପୋର୍ଟରେ ଉଲ୍ଲେଖଥିଲା ଉପଭୋକ୍ତା ଯେ ସମ୍ୱାଦପତ୍ର ପଢୁନାହାନ୍ତି, ଟେଲିଭିଜନ ସମ୍ୱାଦ ଦେଖୁନାହାନ୍ତି କିମ୍ୱା ଅନଲାଇନ ସମ୍ୱାଦ ମଞ୍ଚରେ ପହଞ୍ଚୁନାହାନ୍ତି ତାହା ନୁହଁ; ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଦୀର୍ଘ ସମୟ ଧରି ଉପସ୍ଥିତି ରହିବା ସତ୍ତ୍ୱେ ସମ୍ୱାଦ ମଞ୍ଚ ତଥା କେତେକ ବର୍ଗର ସମ୍ୱାଦ ପଢ଼ିବା ବା ଦେଖିବାରୁ କ୍ଷାନ୍ତ ରହୁଛନ୍ତି । ଏହି ଧାରା କ୍ରମଶଃ ବଢୁଥିବା ଉଦବେଗର କାରଣ ।

 

ରିପୋର୍ଟରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଆନ୍ତର୍ଜାତିକସ୍ତରରେ ୨୦୧୭ ରୁ ୨୦୨୨ ପାଞ୍ଚ ବର୍ଷ ମଧ୍ୟରେ ବ୍ରାଜିଲରେ ସମ୍ୱାଦ ବିମୁଖଙ୍କ ସଂଖ୍ୟା ୫୪ ପ୍ରତିଶତ ଏବଂ ବ୍ରିଟେନରେ ୪୬ ପ୍ରତିଶତ ବଢ଼ିଛି । ଅବଶ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ୩୮ ପ୍ରତିଶତରୁ ୪୨ ପ୍ରତିଶତରେ ପହଞ୍ଚିଛି । ଅପରପକ୍ଷେ ଅନ୍ୟାନ୍ୟ ବିକଶିତ ରାଷ୍ଟ୍ରଙ୍କ ତୁଳନାରେ ସେଠାରେ କୌଣସି ସମ୍ୱାଦ ମଞ୍ଚର ଧାର ନମାଡୁଥିବା ନାଗରିକଙ୍କ ସଂଖ୍ୟା ୧୫ ପ୍ରତିଶତ ଯାଏଁ ପରିବ୍ୟାପ୍ତ । ଜାପାନରେ ମଧ୍ୟ ୧୫ ପ୍ରତିଶତ, ବ୍ରିଟେନରେ ୯ ପ୍ରତିଶତ, ଫ୍ରାନ୍ସ ଓ ଆଷ୍ଟ୍ରେଲିଆରେ ୮ ପ୍ରତିଶତ ସମ୍ୱାଦ ମଞ୍ଚଗୁଡ଼ିକଠାରୁ ଦୂରେଇ ରହିଥାନ୍ତି ।

 

ଏହିସବୁ ପରିସଂଖ୍ୟାନ ମୁଖ୍ୟତଃ ଡ଼ିଜିଟାଲ ସମ୍ୱାଦ ମଞ୍ଚ ଆଶ୍ରିତ । ଭାରତ ଭଳି ଦେଶରେ ୧୪୦ କୋଟି ଜନସଂଖ୍ୟାରୁ ମାତ୍ର ୫୪ ପ୍ରତିଶତ ଇଣ୍ଟରନେଟ ସଂଯୁକ୍ତ ହୋଇଥିବା ହେତୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଡିଜିଟାଲ ସମ୍ୱାଦମଞ୍ଚରେ ଦେଖାଦେଇଥିବା ସମସ୍ୟାବଳୀ ହୁଏତ ତତକ୍ଷଣାତ ପ୍ରଭାବଶାଳୀ ମନେନହୋଇପାରେ । କିନ୍ତୁ ପ୍ରଚଳିତ ଆନ୍ତର୍ଜାତିକ ଧାରା ପାରମ୍ପରିକ ଗଣମାଧ୍ୟମ ମଞ୍ଚର ଉପଭୋକ୍ତାଙ୍କ ଆଚ଼ରଣରେ ପ୍ରତିବିମ୍ୱିତ ହେବା ଏବଂ କ୍ରମବର୍ଦ୍ଧମାନ ଡ଼ିଜିଟାଲ ସମ୍ୱାଦ ମଞ୍ଚ ନିମନ୍ତେ ଅଗ୍ରୀମ ସୂଚକ ସାବ୍ୟସ୍ତ ହେବା ବିଶ୍ୱାସ କରାଯାଏ ।

 

ସାଧାରଣ ପାଠକ ଓ ଦର୍ଶକ ସମ୍ୱାଦ ମଞ୍ଚ ପ୍ରତି ବିମୁଖ ହେବା ସଂପର୍କରେ ରିପୋର୍ଟରେ ଛଅଗୋଟି କାରଣ ଉଲ୍ଲେଖ ହୋଇଛି । ଏକପକ୍ଷରେ ୪୩ ପ୍ରତିଶତ ଉପଭୋକ୍ତା ପ୍ରକାଶିତ ସମ୍ୱାଦଗୁଡ଼ିକରେ ମାତ୍ରାଧିକ ରାଜନୀତି ଓ କୋଭିଡ଼ ମହାମାରୀ ବିଷୟବସ୍ତୁ ଚର୍ଚ୍ଚିତ ହେଉଥିବା, ୨୯ ପ୍ରତିଶତ ସମ୍ୱାଦ ବିଶ୍ୱାସନୀୟତା ହରାଉଥିବା ଏବଂ ୧୬ ପ୍ରତିଶତ ପ୍ରକାଶିତ ସମ୍ୱାଦ ପାଠକଙ୍କ କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ଆସୁନଥିବା ଅଭିଯୋଗ କରିଥିଲେ ।

 

ଅପରପକ୍ଷେ ୩୬ ପ୍ରତିଶତ ଉପଭୋକ୍ତା ସମ୍ୱାଦଗୁଡ଼ିକର ବିଷୟବସ୍ତୁ ମାନସିକସ୍ତରରେ ନକାରାତ୍ମକ ପ୍ରଭାବ ପକାଉଥିବା, ୨୯ ପ୍ରତିଶତ ସମ୍ୱାଦର ପରିମାଣ ଓ ୧୭ ପ୍ରତିଶତ ସମ୍ୱାଦ ସଂସ୍ପର୍ଶରେ ଆସିଲେ ଯୁକ୍ତିତର୍କର ସାମ୍ନା ହେବା ନିମନ୍ତେ ପସନ୍ଦ କରୁନଥିବା ସମ୍ୱାଦ ବିମୁଖର କାରଣ ରୂପେ ଦର୍ଶାଇଥିଲେ । ଆନ୍ତର୍ଜାତିକସ୍ତରରେ ଡ଼ିଜିଟାଲ ସମ୍ୱାଦ ଉପଭୋକ୍ତାଙ୍କ ଏହି ଉପଲବ୍ଧି ଆମ ଦେଶର ପାରମ୍ପରିକ ସମ୍ୱାଦ ମଞ୍ଚ, ମୁଖ୍ୟତଃ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ନିମନ୍ତେ ଚ଼େତାବନୀ ମନେହୁଏ । ଏଭଳି ତତ୍ତ୍ୱକୁ ଆଧାର କରି କେତେକ ସମ୍ୱାଦପତ୍ର ନିଜ ସମ୍ପାଦକୀୟ ନୀତି ପରିବର୍ତ୍ତନ କରୁଥିବା ଉଦାହରଣ ଦୃଷ୍ଟିକୁ ଆସିଥାଏ ।

 

ସମ୍ୱାଦ ମଞ୍ଚଗୁଡ଼ିକର ରାଜନୀତିକ ସଂପୃକ୍ତି ହେତୁ ରାଜନୀତି ସମ୍ୱାଦକୁ ପ୍ରମୁଖ ସ୍ଥାନ ଦେବା ଏବଂ ସ୍ଥଳବିଶେଷରେ ରାଜନୀତିକ ବିଭାଜନ ଉପଭୋକ୍ତାଙ୍କ ସମ୍ୱାଦ ବିମୁଖକୁ ସର୍ବାଧିକ ପ୍ରଭାବିତ କରୁଥିବା ଆଲୋଚ଼୍ୟ ଗବେଷଣାରୁ ସୁସ୍ପଷ୍ଟ । ସାଧାରଣରେ ରାଜନୀତିକ ସଂଘର୍ଷପୂର୍ଣ୍ଣ ପରିସ୍ଥିତି, ଆନ୍ତର୍ଜାତିକସ୍ତରରେ ସଂକଟ, ମହାମାରୀ ଓ ଜଳବାୟୁ ପରିବର୍ତ୍ତନ ଭଳି ସମ୍ୱାଦକୁ ଉଭୟ ପାରମ୍ପରିକ ଓ ଡ଼ିଜିଟାଲ ମଞ୍ଚ ପ୍ରାଧାନ୍ୟ ଦେଇଥାନ୍ତି । କିନ୍ତୁ ସଂଖ୍ୟାଧିକ ପାଠକ ସେଗୁଡ଼ିକୁ ଚାହୁଁ ନଥିବା ତଥ୍ୟ ହସ୍ତଗତ ହୋଇଛି । ମୁଖ୍ୟତଃ ଯୁବବର୍ଗର ପାଠକ ଓ ଦର୍ଶକ ସମ୍ୱାଦ ବିମୁଖ ହେଉଥିବା ହେତୁ ସମ୍ୱାଦ ମଞ୍ଚଗୁଡ଼ିକରେ ଜନସାଧାରଣଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରୁଥିବା ବିଷୟବସ୍ତୁକୁ ପ୍ରାଧାନ୍ୟ ଦେବା ଧାରା ଆରମ୍ଭ ହୋଇଥିବା ଜଣାଯାଏ । ତେବେ ପାଠକ ଓ ଦର୍ଶକଙ୍କ ଋଚ଼ିକୁ ଚରିତାର୍ଥ କରିବାକୁ ଯାଇ ସମ୍ପାଦକୀୟ ନୀତି ପରିବର୍ତ୍ତନର ସୀମାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥାଏ ।

 

ସମ୍ୱାଦ ମଞ୍ଚଗୁଡ଼ିକ ପ୍ରତି ଜନସାଧାରଣଙ୍କ ବିଶ୍ୱସନୀୟତା ହ୍ରାସ ଅନ୍ୟତମ ସମସ୍ୟା । ରିପୋର୍ଟରେ ଦର୍ଶାଯାଇଛି ଯେ ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ୪୨ ପ୍ରତିଶତ ନମୂନାଙ୍କ ମଧ୍ୟରେ ବିଶ୍ୱସନୀୟତା ସଂକଟ ଦେଖାଦେଇଛି । ସମ୍ୱାଦ ପ୍ରତି ଜନସାଧାରଣଙ୍କ ଆଗ୍ରହ ୨୦୧୭ରେ ୬୩ ପ୍ରତିଶତ ରେକର୍ଡ କରାଯାଇଥିବା ସ୍ଥଳେ ତାହା ୨୦୨୨ ରେ ୫୧ ପ୍ରତିଶତକୁ ଖସିଆସିଛି । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରବାହ ମଧ୍ୟରେ ଯୁବବର୍ଗର ପାଠକ ଓ ଦର୍ଶକ ପୂର୍ଣ୍ଣାଙ୍ଗ ସମ୍ୱାଦ ବଦଳରେ ସମ୍ୱାଦର ଅଂଶବିଶେଷ ଆହରଣ କରୁଛନ୍ତି । ଫଳରେ ଘଟଣାର ପୂର୍ବାପର ସଙ୍ଗତି ସଂପର୍କରେ ପରିଚ଼ିତ ହେବାରୁ ଦୂରେଇ ରହୁଛନ୍ତି । ସେହିପରି ଅଳ୍ପ ଶିକ୍ଷିତ ଯୁବକଯୁବତୀ ଅନଲାଇନ ପରିବେଶରେ ପହଞ୍ଚୁଥିଲେ ମଧ୍ୟ ପରିବେଶିତ ସମ୍ୱାଦ ଅବୋଧ୍ୟ ଅଭିଯୋଗ କରିଥାନ୍ତି ।

 

‘ଡିଜିଟାଲ ନିଉଜ ରିପୋର୍ଟ ୨୦୨୨’ ପ୍ରଯୋଜନା ନିମନ୍ତେ ଆୟୋଜିତ ସର୍ବେକ୍ଷଣରେ ବିଶ୍ୱର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟାରୁ ନମୂନା ଚ଼ିହ୍ନଟ କରାଯାଇ ସେମାନଙ୍କ ଗଣମାଧ୍ୟମ ଆଚ଼ରଣ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଭାରତରେ ଡିଜିଟାଲ ସମ୍ୱାଦ ପରିବେଶ ସଂପର୍କରେ କୁହାଯାଇଛି ଯେ ଏଠାରେ ୭୨ ପ୍ରତିଶତ ଉପଭୋକ୍ତା ସ୍ମର୍ଟଫୋନ ଏବଂ ୩୫ ପ୍ରତିଶତ କମ୍ପ୍ୟୁଟର ଯୋଗେ ଡିଜିଟାଲ ମଞ୍ଚରେ ପହଞ୍ଚିଥାନ୍ତି । ସମ୍ୱାଦ ଆହରଣ ନିମନ୍ତେ ୫୩ ପ୍ରତିଶତ ‘ୟୁଟ୍ୟୁବ’ ଓ ୫୧ ପ୍ରତିଶତ ‘ହ୍ୱାଟସଆପ’ ବ୍ୟବହାର କରିଥାନ୍ତି । ଡ଼ିଜିଟାଲ ମଞ୍ଚରେ ଅସତ୍ୟ ସମ୍ୱାଦ ସାଙ୍ଗକୁ କୁତ୍ସାରଟନା ଆଗାମୀ ଭବିଷ୍ୟତ ନିମନ୍ତେ ଅମୀମାଂସିତ ସମସ୍ୟା । ବିଶ୍ୱବ୍ୟାପୀ ସୋସିଆଲ ମିଡ଼ିଆ ସମ୍ୱାଦ ସାରବରାହରେ ପ୍ରମୁଖ ସ୍ଥାନ ଅଧିକାର କରୁଥିବା ସ୍ଥଳେ ଏହା ଯେ କେବଳ ପାରମ୍ପରିକ ଗଣମାଧ୍ୟମଠାରୁ ଭିନ୍ନ ତାହା ନୁହ, ଏହାର ଭୂମିକା ପୂର୍ବବର୍ତ୍ତୀ ସମୟଠାରୁ ଭିନ୍ନ ରୂପରେ ଆତ୍ମପ୍ରକାଶ କରୁଛି । ପରିବର୍ତ୍ତନଶୀଳ ସମ୍ୱାଦ ସରବରାହ ଆଙ୍ଗିକ ସାଙ୍ଗକୁ ଉପଭୋକ୍ତାଙ୍କ ସମ୍ୱାଦ ବିମୁଖ ଆଚରଣ ସମ୍ୱାଦ ପ୍ରଯୋଜନା, ବିତରଣ ଓ ବ୍ୟବସାୟରେ ନୂତନ ଆଦର୍ଶ ‘ମଡ଼େଲ’ ଆବଶ୍ୟକ କରିବା ସୁନିଶ୍ଚିତ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁଲାଇ ୨୦୨୨


ତଥ୍ୟ:


Reuters Institute for Study of Journalism. Digital News Report 2022

 

https://reutersinstitute.politics.ox.ac.uk/digital-news-report/2022

 

Owen, Laura Hazard. As traditional news use declines, online news isn’t making up the gap. Nieman Lab. June 14, 2022.

 

https://www.niemanlab.org/2022/06/as-traditional-news-use-declines-online-news-isnt-making-up-the-gap/ 

ସମ୍ୱାଦ ମଞ୍ଚ ପାଠକ

‘କୋଭିଡ଼-୧୯’ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନିଉ-ନରମଲ’ରେ ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚଗୁଡ଼ିକ ଲୋକପ୍ରିୟତା ହରାଇ ବସୁଥିବା ଆଶଙ୍କା ଘନୀଭୂତ ହେବାରେ ଲାଗିଛି । ଭିନ୍ନ ଭିନ୍ନ ସାମାଜିକ, ଅର୍ଥନୀତିକ ଓ ବୈଷୟିକ ପରିବେଶ ଆଧାରରେ ସମ୍ୱାଦ ମଞ୍ଚଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟା ଅଲଗା ରହୁଥିବା ସ୍ଥଳେ ସାମଗ୍ରୀକଭାବେ କେତେଗୋଟି ମୌଳିକ ଧାରା ଚ଼ିହ୍ନଟ କରାଯାଇପାରେ । ତଥ୍ୟକେନ୍ଦ୍ରୀକ ସ୍ଥିତାବସ୍ଥାର ଗଭୀର ଅନୁଶୀଳନ ଏବଂ ତୁରନ୍ତ ସମାଧାନର ପନ୍ଥା ନିର୍ଦ୍ଧାରଣ ମୁଖ୍ୟତଃ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ନିମନ୍ତେ ଜରୁରି ହୋଇପଡ଼ିଛି ।


 

ପ୍ରଥମତଃ, ସମ୍ୱାଦ ମଞ୍ଚର ପାଠକ ଓ ଗ୍ରାହକଙ୍କ ସଂପର୍କରେ ଆଲୋଚ଼ନା କରାଯାଉ । ବ୍ରିଟେନର ‘ରଏଟର ଇନଷ୍ଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ଆନୁକୂଲ୍ୟରେ ପ୍ରକାଶିତ ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୧’ରେ ଦର୍ଶାଯାଇଛି ଯେ ୫୦ ବର୍ଷୋତ୍ତର ଜନସାଧାରଣ ସମ୍ୱାଦ ମଞ୍ଚର ସର୍ବାଧିକ ପାଠକ ଓ ଗ୍ରାହକ । ଭାରତ ସମେତ ୪୬ ଗୋଟି ରାଷ୍ଟ୍ରରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଏହି ତଥ୍ୟ ଉଭୟ ପାରମ୍ପରିକ ଓ ଡ଼ିଜିଟାଲ ସମ୍ୱାଦ ମଞ୍ଚ ନିମନ୍ତେ ପ୍ରଯୁଜ୍ୟ ।


 

ସାଧାରଣରେ ସମ୍ୱାଦ ପାଠକଙ୍କ ମଧ୍ୟରେ ପ୍ରକାଶକ ଓ ସମ୍ପାଦକମାନେ ୧୫ ରୁ ୩୪ ବର୍ଷ ବୟସ୍କଙ୍କ ସଂଖ୍ୟା ଏକତୃତୀୟାଂଶ ହିସାବ କରିଥାନ୍ତି । ଏମାନେ କ୍ରମଶଃ ସମ୍ୱାଦ ମଞ୍ଚର ସଂଗଠିତ ଅଙ୍ଗିକରୁ ଅପସରି ଯାଇ ସୋସିଆଲ ମିଡ଼ିଆରେ ପ୍ରସାରିତ ସମ୍ୱାଦରେ ସନ୍ତୁଷ୍ଟ ହେଉଥିବା ସୁସ୍ପଷ୍ଟ । ଯୁବବର୍ଗର ପାଠକ ଫେସବୁକ, ହ୍ୱାଟସଆପ, ଟୁଇଟର, ୟୁଟ୍ୟୁବ ଭଳି ମଞ୍ଚରେ ସମ୍ୱାଦ ଆହରଣ ଏବଂ ନିଜ ଘନିଷ୍ଠ ବନ୍ଧୁବର୍ଗଙ୍କ ଗହଣରେ ସମ୍ୱାଦ ଚର୍ଚ୍ଚାକୁ ଅଧିକ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଏ ।


 

ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଯେ ସୋସିଆଲ ମିଡ଼ିଆ ଧାରା ମହାନଗରୀଠାରୁ ଆରମ୍ଭ କରି ଅଖ୍ୟାତ ପଲ୍ଲୀ ଯାଏଁ ଏକାକାର ହୋଇପଡ଼ିଛି । ସ୍ମାର୍ଟଫୋନ ଓ ମୋବାଇଲ କମ୍ପ୍ୟୁଟିଂ ଡିଭାଇସେସ ବ୍ୟବହାର ଏବଂ ସୋସିଆଲ ମିଡ଼ିଆରେ ଦୀର୍ଘ ସମୟ ଉପସ୍ଥିତି ପରୋକ୍ଷରେ ସମ୍ୱାଦ ମଞ୍ଚଗୁଡ଼ିକର ଆଧିପତ୍ୟ ନ୍ୟୂନ କରିବାରେ ଲାଗିଛି । ଡ଼ିଜିଟାଲ ପରିବେଶରେ ଉପଭୋକ୍ତାମାନେ ଦୈନିକଭିତ୍ତିରେ ଦୀର୍ଘ ସମୟ ଅତିବାହିତ କରୁଥିଲେ ମଧ୍ୟ ସୋସିଆଲ ମିଡ଼ିଆ ତୁଳନାରେ ସମ୍ୱାଦ ମଞ୍ଚରେ କମ ସମୟ ବିନିଯୋଗ କରନ୍ତି ଏବଂ ସୋସିଆଲ ମିଡ଼ିଆରୁ ଲିଙ୍କ ପାଇ ସମ୍ୱାଦମଞ୍ଚରେ ପହଞ୍ଚିଥାନ୍ତି ।


 

ଅପରପକ୍ଷେ ପ୍ରଶ୍ନ ଉଠେ, ପାରମ୍ପରିକ ସମ୍ୱାଦ ମଞ୍ଚ, ଉଦାହରଣରେ ମୁଦ୍ରିତ ସମ୍ୱାଦପତ୍ରର ପାଠକ ଓ ଗ୍ରାହକଙ୍କ ମଧ୍ୟରେ ଯଦି ୫୦ ବର୍ଷୋତ୍ତରଙ୍କ ସଂଖ୍ୟା ଅଧିକ, ତେବେ ସେମାନଙ୍କ ରୁଚ଼ି ଓ ଆବଶ୍ୟକତାକୁ ସୁହାଇବା ଭଳି ସମ୍ପାଦକୀୟ ନୀତି ଉପଯୋଗ କରାଯାଉଛି କି ? ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ମୁଦ୍ରିତ ସମ୍ୱାଦପତ୍ର ବୟସ୍କ, ଶିକ୍ଷିତ ଓ ଆର୍ଥିକ ଦିଗରୁ ସ୍ୱଚ୍ଛଳ ବର୍ଗ ପାଠ କରୁଥିବା ତଥା ଗ୍ରାହକଶ୍ରେଣୀଭୁକ୍ତ ହେଉଥିବା ସ୍ଥଳେ ଆମ ସମ୍ୱାଦପତ୍ର ସମାଜର ନବସାକ୍ଷର, ଅର୍ଥନୀତି ଦୃଷ୍ଟିରୁ ଅନଗ୍ରସରଙ୍କ ରୁଚ଼ିକୁ ସୁହାଇଲାଭଳି ସମ୍ୱାଦ ପ୍ରଯୋଜନା ମାନସିକତା ପରିବର୍ତ୍ତନର ସମୟ ଉପନୀତ । ଚାଞ୍ଚଲ୍ୟ, ଗୁଜବ ବଦଳରେ ଗଭୀର ଅନୁଶୀଳନ ଓ ବ୍ୟବହାରଯୋଗ୍ୟ ସମ୍ୱାଦ ପରିବେଷଣ ବୟସ୍କ ସମ୍ୱାଦ ପାଠକମାନଙ୍କୁ ସନ୍ତୁଷ୍ଟ କରିବା ସଙ୍ଗେ ଯୁବବର୍ଗଙ୍କୁ ସୋସିଆଲ ମିଡ଼ିଆର ବିକଳ୍ପ ମଞ୍ଚ ଭାବେ ଆକୃଷ୍ଟ କରିବା ସମ୍ଭବ ।


 

ଦ୍ୱିତୀୟତଃ, ମୌଳିକ ସମ୍ୱାଦ ପ୍ରଯୋଜନାରେ ଶିଥିଳତା ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ଆକର୍ଷଣ ହରାଉଥିବା ଅନ୍ୟତମ କାରଣ ରୂପେ ବିବେଚ଼ନା କରାଯାଏ । ଯୁକ୍ତରାଷ୍ଟ୍ର ଆମେରିକାର ଡ୍ୟୁକ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୧୮ରେ ଶହେଗୋଟି ପ୍ରକାଶନସ୍ଥଳୀରେ ଷୋହଳ ହଜାର ଆଞ୍ଚଳିକସ୍ତରୀୟ ସମ୍ୱାଦ ମଞ୍ଚରେ ସମ୍ୱାଦ ତର୍ଜମାରୁ ଜଣାଯାଇଥିଲା ଯେ ପ୍ରକାଶିତ ସମ୍ୱାଦର ମାତ୍ର ୧୭ ପ୍ରତିଶତ ପ୍ରକୃତରେ ଆଞ୍ଚଳିକସ୍ତରରେ ପ୍ରଯୋଜିତ ହୋଇଥାଏ । ପାଶ୍ଚାତ୍ୟ ଭୂଖଣ୍ଡର ଏହି ତଥ୍ୟ ଊଣାଅଧିକେ ସର୍ବତ୍ର ପ୍ରଯୁଜ୍ୟ । ଓଡ଼ିଶା ଉଦାହରଣରେ ପ୍ରାୟ ଦଶ ଗୋଟି ଓଡ଼ିଆ ସମ୍ୱାଦପତ୍ର ବ୍ରହ୍ମପୁରରୁ ଅନ୍ୟୂନ ୧୨ ପୃଷ୍ଠା ବିଶିଷ୍ଟ ଦୈନିକ ସଂସ୍କରଣ ପ୍ରକାଶ କରୁଥିବା ସ୍ଥଳେ ବ୍ରହ୍ମପୁରର ସ୍ଥାନୀୟ ସମ୍ୱାଦ ୧୭ ପ୍ରତିଶତରୁ କମ ସିନା କେବେ ଅଧିକା ନୁହ । ଏଥିମଧ୍ୟରୁ କେତେ ସଂଖ୍ୟକ ସମ୍ୱାଦ ପ୍ରେସରିଲିଜଭିତ୍ତିକ ତାହା ତ ଅନ୍ୟ କଥା ।


 

ପାରମ୍ପରିକ ସମ୍ୱାଦ ମଞ୍ଚର ଆଞ୍ଚଳିକ ସଂସ୍କରଣଗୁଡ଼ିକରେ ସ୍ଥାନୀୟ ସମ୍ୱାଦ ଖୋଜି ନିରାଶହେବା ପରେ ପାଠକ ସୋସିଆଲ ମିଡ଼ିଆ ମୁହାଁ ହେଉଥିବା ଏକ ବିଶେଷ କାରଣ । ଏକପକ୍ଷରେ ସୋସିଆଲ ମିଡ଼ିଆରେ ଗଭୀର ଆଞ୍ଚଳିକ ‘ହାଇପର ଲୋକାଲ’ସ୍ତରରେ ସମ୍ୱାଦ ବିନିମୟ ହେଉଥିବା ସ୍ଥଳେ ସାଧାରଣ ପାଠକ ନିଜ ପରିଚ଼ିତ ବର୍ଗଙ୍କ ଆଚ଼ରଣ ଓ ଲାଭହାନୀ ସମ୍ୱାଦପ୍ରତି ଅଧିକ ସମ୍ୱେଦନଶୀଳ ।


 

ତୃତୀୟତଃ, ପରିବର୍ତ୍ତିତ ପରିବେଶରେ ଉଭୟ ପାରମ୍ପରିକ ଓ ଡ଼ିଜିଟାଲ ସମ୍ୱାଦ ମଞ୍ଚର ସଫଳତା ମୁଖ୍ୟତଃ ସମ୍ପାଦକୀୟ ପରାକାଷ୍ଠା ଉପରେ ପର୍ଯ୍ୟବସିତ । ଜାତୀୟସ୍ତରରେ ସମ୍ୱାଦ ମଞ୍ଚଗୁଡ଼ିକ ବୃହତ ବ୍ୟବସାୟ ପରିସରଭୁକ୍ତ ହେତୁ ପୁଞ୍ଜିନିବେଶ ସମ୍ଭବପର ହୋଇଥାଏ । ଏହା ସମ୍ପାଦକୀୟ ଗୁଣବତ୍ତା ବିକାଶରେ ସହାୟକ । ତେବେ ଆଞ୍ଚଳିକସ୍ତରରେ ସମ୍ୱାଦମଞ୍ଚଗୁଡ଼ିକ ନିଜକୁ ବଞ୍ଚାଇ ରଖିବା ନିମନ୍ତେ ଅହରହ ସଂଗ୍ରାମ କରୁଥିବା ହେତୁ ସମ୍ପାଦକୀୟ ନୀତି ପ୍ରଯୋଜନାରେ ସ୍ୱାଧୀନତା କିମ୍ୱା ସ୍ୱଚ୍ଛଳତା ହାସଲ କରିପାରନ୍ତି ନାହିଁ । ପରୋକ୍ଷରେ ପକ୍ଷପାକ୍ଷିକତା କାରଣରୁ ପାଠକୀୟ ବିଶ୍ୱାସ ହରାଇ ବସନ୍ତି ।


 

ଟେକ୍ସାସ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ବିଶେଷଜ୍ଞଙ୍କ ଅନୁଶୀଳନରେ ସମ୍ୱାଦ ମଞ୍ଚଗୁଡ଼ିକର ପାଠକ ସଂଖ୍ୟା କମି ଆସୁଥିବା ହେତୁ ଉଭୟ ଗ୍ରାହକ ଓ ବିଜ୍ଞାପନ ଆୟ ବ୍ୟବସାୟକୁ ପ୍ରଭାବିତ କରିବାରେ ଲାଗିଛି । ସମ୍ୱାଦମଞ୍ଚରେ ବିଜ୍ଞାପନ ଆୟ ୧୮୦ ବର୍ଷରୁ ଅଧିକ କାଳ ଧରି ବ୍ୟାବସାୟିକ କ୍ଷତି ଭରଣା କରିଚାଲିଥିଲା । ତେବେ ସମ୍ୱାଦ ସହ ବିଜ୍ଞାପନର କୌଣସି ସଂପର୍କ ନାହିଁ । ଏହିଭଳି ସଂଯୋଗ ସଂପୂର୍ଣ୍ଣ ଆକସ୍ମିକ । ବର୍ତ୍ତମାନ ଅନଲାଇନରେ ଯିଏ ସାମଗ୍ରୀ ଖୋଜୁଛି ତା’ ପରଦାରେ ବିଜ୍ଞାପନ ପ୍ରଦର୍ଶିତ ହେଉଛି । ଅର୍ଥାତ ନିର୍ଦ୍ଦିଷ୍ଟ ଦ୍ରବ୍ୟ ବା ସେବାର ଗ୍ରାହକକୁ ପ୍ରଭାବିତ କରିବାଲାଗି ବିଜ୍ଞାପନ ରାସ୍ତା ବଦଳାଇ ସାରିଲାଣି । ଏହି ଧାରାରୁ ବିଚ୍ୟୁତି ଆଶା କରିବା ନିର୍ବୋଧତା ପ୍ରମାଣିତ ହେବ ।


 

ଆଞ୍ଚଳିକ ସମ୍ୱାଦମଞ୍ଚଗୁଡ଼ିକ ସମ୍ପାଦକୀୟ ଓ ଅର୍ଥନୀତିକ ବିଷଚ଼କ୍ର ‘ଭିସିୟସ ସର୍କଲ’ରୁ ମୁକ୍ତି ପାଇବା ଲାଗି ସୁଚ଼ିନ୍ତିତ, ତଥ୍ୟାଶ୍ରିତ, ବାସ୍ତବାମୁଖୀ, ଯୋଜନାବଦ୍ଧ, ଦୀର୍ଘମିଆଦୀ ଉଦ୍ୟମ କରିବାକୁ ପଡ଼ିବ । ବିଶ୍ୱାସ ରଖିବାକୁ ପଡ଼ିବ ଯେକୌଣସି ଯୋଜନା ନିଷ୍ଠାପରଭାବେ ଲାଗୁକଲେ ଶତପ୍ରତିଶତ ନହେଲେ ସୁଦ୍ଧା ସାମାନ୍ୟରୁ ମଧ୍ୟମ ଧରଣର ସୁଫଳ ପ୍ରତ୍ୟେକ କ୍ଷେତ୍ରରେ ସଂଭବ । ଗଣମାଧ୍ୟମ ବିଶେଷଜ୍ଞମାନେ କହୁଛନ୍ତି ଯେ ଆଞ୍ଚଳିକ ସମ୍ୱାଦ ମଞ୍ଚକୁ ବଞ୍ଚାଇବା ପାଇଁ ପ୍ରକାଶନଗତ ସମସ୍ୟାଗୁଡ଼ିକ ସହଜରେ ସମାଧାନ କରାଯାଇପାରିବ । କିନ୍ତୁ ଉପଭୋକ୍ତା, ଅର୍ଥାତ ପାଠକ, ଶ୍ରୋତା ଓ ଦର୍ଶକ ଯଦି ସମ୍ୱାଦ ମଞ୍ଚରୁ ସମ୍ୱାଦ ଆହରଣରେ ବିମୁଖ ହୋଇପଡୁଛନ୍ତି, ତାହା ସଜାଡିବା ଲାଗି ପ୍ରାଥମିକତା ଦେବାକୁ ପଡ଼ିବ । ପଚାଶ ବର୍ଷ ପୂର୍ବେ ଓଡ଼ିଶାର ବଡ଼ ସହରରେ ‘ଫାଷ୍ଟ-ଡ଼େ-ଫାଷ୍ଟ-ସୋ’ ସିନେମା ଟିକଟ ଖଣ୍ଡେ ପାଇଁ ରକ୍ତାକ୍ତ ସଂଘର୍ଷ ଉଦାହରଣର ଅଭାବ ନଥିବା ସ୍ଥଳେ ଆଜି ଚଳଚ଼ିତ୍ର ପ୍ରେକ୍ଷାଳୟ ଖୋଲିବା ପାଇଁ ସାହସ ଯୁଟୁ ନାହିଁ । ଏଥିରୁ ସମ୍ୱାଦ ମଞ୍ଚଗୁଡ଼ିକର ଶିଖିବାର ନାହିଁ କି ?


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୦ ଜୁଲାଇ ୨୦୨


ତଥ୍ୟ:


Majid, Aisha. Younger readers are passing on mainstream news, but what can publishers do about it ?


 

https://www.pressgazette.co.uk/category/news/media-business


 

Shafer, Jack. Why has local news collapsed ? Blame readers


 

https://www.politico.com/news/magazine/2021/06/12/local-news-demand-493495

ପାଠକୀୟ ପ୍ରତ୍ୟାଶା

ମୁଦ୍ରିତ ଗଣମାଧ୍ୟମ ପାଠକଙ୍କ ସଂପୃକ୍ତ ମଞ୍ଚ ପ୍ରତି ଆଶା-ଆକାଂକ୍ଷା ‘ପାଠକୀୟ ପ୍ରତ୍ୟାଶା’ ନାମିତ । ପାରମ୍ପରିକ ଗଣମାଧ୍ୟମ ପରିବେଶରେ ଏକକ ସୂତ୍ରରୁ ପ୍ରକାଶିତ ପାଠ୍ୟ, ଶ୍ରାବ୍ୟ ବା ଦୃଶ୍ୟ ‘ଟେକ୍ସଟ’, ‘ଅଡ଼ିଓ’ ବା ‘ଭିଡ଼ିଓ’ ଉପଭୋକ୍ତାଙ୍କ ମଧ୍ୟରେ ପ୍ରସାରିତ ହୋଇଥାଏ । ପାଠକ, ଶ୍ରୋତା ବା ଦର୍ଶକଙ୍କ ଅବଶ୍ୟକତା ଓ ରୁଚି ପରଖିବା ସମ୍ପାଦକମାନଙ୍କ ଦାୟିତ୍ୱ । ଅଧିକାଂଶ କ୍ଷେତ୍ରରେ ତଦ୍ ଜନିତ ସମୀକ୍ଷା ପ୍ରକ୍ରିୟା ଯୁକ୍ତିଯୁକ୍ତ ଢଙ୍ଗରେ ନିୟନ୍ତ୍ରିତ ହୋଇପାରି ନଥାଏ । ଏହି କାରଣରୁ ଗଣମାଧ୍ୟମରେ ପ୍ରକାଶିତ ସୃଜନ ‘କଣ୍ଟେଣ୍ଟ’ ଉପଭୋକ୍ତାଙ୍କ ଆଶା-ଆକାଂକ୍ଷା ପୂରଣ କରିପାରେନାହିଁ ।


 

ସାଧାରଣରେ ସମ୍ପାଦକମାନେ ମୁଦ୍ରିତ ମଞ୍ଚଗୁଡ଼ିକର ସମ୍ପାଦକୀୟ ନୀତି ନିର୍ଦ୍ଧାରଣ କରିଥାନ୍ତି । ନିଜସ୍ୱ ମଞ୍ଚର ପାଠକଙ୍କ ଆବଶ୍ୟକତା ଓ ରୁଚ଼ି ସଂପର୍କରେ ସେମାନେ ଅବଗତ ବୋଲି ବିଶ୍ୱାସ କରାଯାଇଥାଏ । ସମ୍ପାଦକଙ୍କ ଅଭିଜ୍ଞତା, ପାଠକମାନଙ୍କ ସହ ଅଣଆନୁଷ୍ଠାନିକ ଆଲୋଚ଼ନା ଓ ପ୍ରକାଶନର ସୃଜନ-ଦୃଷ୍ଟିକୋଣ ‘କ୍ରିଏଟିଭ ପ୍ରସପେକ୍ଟିଭ’କୁ ଭିତ୍ତିକରି ସମ୍ପାଦକୀୟ ନୀତି ପ୍ରଯୋଜିତ ହୋଇଥାଏ । ତେବେ ଏହି ପଦ୍ଧତି ପରିସଂଖ୍ୟାନଭିତ୍ତିକ ଓ ପ୍ରମାଣଯୋଗ୍ୟ ସାବ୍ୟସ୍ତ ହୋଇପାରେ ନାହିଁ । ଫଳତଃ ଉପାଦେୟତା ସନ୍ଦିହାନ ଅବସ୍ଥାରେ ପଡ଼ିରହେ ।


 

ଆଧୁନିକ ପରିବେଶରେ ଗଣମାଧ୍ୟମ ସୃଜନ ଉପଭୋକ୍ତା-କେନ୍ଦ୍ରୀକ ବିଚାର କରାଯାଉଥିବା ହେତୁ ସୃଜନର ଗୁଣାତ୍ମକ ଉନ୍ନତି ତଥା ପ୍ରସାର ବୃଦ୍ଧି ନିମନ୍ତେ ଉପଭୋକ୍ତାଙ୍କ ପ୍ରତିକ୍ରିୟା ସର୍ବେକ୍ଷଣ ପ୍ରତି ଗୁରୁତ୍ୱ ଆରୋପ କରାଯାଇଥାଏ । ଆନ୍ତର୍ଜାତିକସ୍ତରରେ ମୁଦ୍ରିତ ଗଣମାଧ୍ୟମ ମଞ୍ଚର ପ୍ରକାଶକଗଣ ‘ୟୁଏକ୍ସଆର’ବା ‘ୟୁଜର୍ସ ଏକ୍ସପେକ୍ଟେସନ୍ସ ରିସର୍ଚ୍ଚ‘ ପାଠକୀୟ ପ୍ରତ୍ୟାଶା ଆକଳନ ନିମନ୍ତେ ବ୍ୟବହାର କରନ୍ତି । ବଜାରଭିତ୍ତିକ ବିଭିନ୍ନ ବନ୍ଧେଇ ଦ୍ରବ୍ୟସମୂହ ‘ପ୍ୟାକେଜେଡ଼ ଗୁଡ଼ସ’ଠାରୁ ଆରମ୍ଭକରି ସୋସିଆଲ ନେଟୱାର୍କ ବା ପ୍ରକାଶକ ଯାଏଁ ପ୍ରତ୍ୟେକ ବ୍ୟବସାୟରେ ଉପଭୋକ୍ତାଙ୍କ ଆବଶ୍ୟକତା ଓ ରୁଚ଼ି ସଂପର୍କରେ ତଥ୍ୟ ସଂଗ୍ରହ ବ୍ୟବସାୟ ପରିଚାଳନାର ଅଂଶବିଶେଷ ପାଲଟିଛି ।


 

ଆନ୍ତର୍ଜାତିକସ୍ତରରେ ସମ୍ମୁଖ ଧାଡ଼ିରେ ପ୍ରତିଷ୍ଠିତ ମୁଦ୍ରିତ ଗଣମାଧ୍ୟମ ମଞ୍ଚଗୁଡ଼ିକ ପକ୍ଷରୁ ପାଠକୀୟ ପ୍ରତ୍ୟାଶା ଅନୁଧ୍ୟାନ କ୍ରମାଗତ ପ୍ରକ୍ରିୟା । ଉଦାହରଣରେ ମାର୍କିନ ମାସିକ ପତ୍ରିକା “ଦି ଆଟଲାଣ୍ଟିକ” ବିଚାରକୁ ନିଆଯାଉ । ଏହି ପତ୍ରିକାଟି ଦେଢଶହ ବର୍ଷ ପୂର୍ବେ ୧୮୫୭ରେ ବୋଷ୍ଟନଠାରୁ ପ୍ରକାଶନ ଆରମ୍ଭ କରିଥିଲା । ସଂପ୍ରତି ୱାଶିଂଟନରୁ ପ୍ରକାଶିତ ମୁଦ୍ରିତ ସଂସ୍କରଣ ପ୍ରସାର ସଂଖ୍ୟା ୨୦୧୮ରେ ହିସାବ ଅନୁଯାୟୀ ପ୍ରାୟ ପାଞ୍ଚ ଲକ୍ଷ । ଏହାର ସୁଦୀର୍ଘ ଇତିହାସରେ ରାଲଫ ୱଲଡ଼ୋ ଏମାରସନ, ମାର୍କ ଟୁଇନ, ଏରନଷ୍ଟ ହେମିଂୱେ ଓ ମାର୍ଟିନ ଲୁଥର କିଙ୍ଗ ଜୁନିୟରଙ୍କ ଭଳି ସୃଜନସ୍ରଷ୍ଟା ଓ ଚ଼ିନ୍ତାନାୟକ ସାହିତ୍ୟ, ରାଜନୀତି, ବୈଦେଶିକ ବ୍ୟାପାର ଓ ଜୀବନଶୈଳୀ ସଂପର୍କରେ ଲେଖିଛନ୍ତି । ଏକବିଂଶ ଶତାଦ୍ଦୀ ଆରମ୍ଭରୁ ବର୍ଷରେ ଦଶଗୋଟି ସଂଖ୍ୟା ପ୍ରକାଶ ପାଉଥିବା ‘ଦି ଆଟଲାଣ୍ଟିକ’ ମୁଖ୍ୟତଃ ଦୀର୍ଘ ରଚନା ‘ଲଙ୍ଗଫର୍ମ ଷ୍ଟୋରି ଟେଲିଂ’ ଓ ଚର୍ଚ୍ଚିତ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତକାର ସମୃଦ୍ଧ । ପରିବର୍ତ୍ତିତ ପରିବେଶରେ ମୁଦ୍ରିତ ପତ୍ରିକା ସହ ଡ଼ିଜିଟାଲ ମଞ୍ଚ ମଧ୍ୟ ସାମିଲ ହୋଇଛି ।


 

‘ଦି ଆଟଲାଣ୍ଟିକ’ର ପାଠକୀୟ ପ୍ରତ୍ୟାଶା ପରିମାପ ତଦାରଖ କରିବା ନିମନ୍ତେ ଜଣେ ଭାରପ୍ରାପ୍ତ କୁଶଳୀ କର୍ମଚାରୀ ଏମିଲି ଗୋଲିଗୋକ୍ସି ନିଯୁକ୍ତ । ସଂକ୍ଷେପରେ କାର୍ଯ୍ୟଧାରା ବର୍ଣ୍ଣନା କଲେ ପତ୍ରିକା ପକ୍ଷରୁ ନିୟମିତ ପାଠକମାନଙ୍କ ସହ ଆଳାପ ଆଲୋଚ଼ନା ବ୍ୟବସ୍ଥା କରାଯାଏ । ଏହି ପ୍ରକ୍ରିୟାରେ ବର୍ତ୍ତମାନର ଗ୍ରାହକ, ପୂର୍ବତନ ଗ୍ରାହକ ଏବଂ ସମ୍ଭାବ୍ୟ ଗ୍ରାହକ ଶ୍ରେଣୀ ଅନ୍ତର୍ଭୁକ୍ତ । ଏକପକ୍ଷରେ ପତ୍ରିକାର ଗ୍ରାହକ କିଏ ତାହା ନିର୍ଦ୍ଧାରଣ କରିବା ନିମନ୍ତେ ଉଦ୍ୟମ କରାଯାଏ । ଅପରପକ୍ଷରେ ପାଠକମାନେ କେଉଁ କାରଣରୁ ପ୍ରକାଶନ ମୂଳେ ସମୟ ଓ ଅର୍ଥ ବିନିଯୋଗ କରୁଛନ୍ତି ସେଦିଗରେ ସମୀକ୍ଷା ପ୍ରତି ଧ୍ୟାନ ଦିଆଯାଏ ।


 

ଏମିଲିଙ୍କ ମତରେ ପାଠକଙ୍କ ଆବଶ୍ୟକତା ଓ ରୁଚ଼ି ପରିବର୍ତ୍ତନଶୀଳ । ଏହି କାରଣରୁ କ୍ରମାଗତଭାବେ ତଥ୍ୟ ସଂଗ୍ରହ କରି ସମ୍ପାଦକୀୟ ନୀତି ପ୍ରସ୍ତୁତ କରିବାକୁ ପଡିଥାଏ । ପତ୍ରିକାରେ କୌଣସି ନୂତନ ନୀତି ଉପଯୋଗ ସମୟରେ ପାଠକଙ୍କ ଗ୍ରହଣୀୟତା ପରିମାପ ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ, ପ୍ରଚଳିତ ଶୈଳୀର ସାମୟିକ ମୂଲ୍ୟାୟନ ମଧ୍ୟ ସେତିକି ମାତ୍ରାରେ ଜରୁରୀ । ପାଠକୀୟ ରୁଚ଼ିକୁ ନେଇ ପତ୍ରିକା ପକ୍ଷରୁ ଯେଉଁ ଉପପାଦ୍ୟ ଆଧାରରେ ସଂପାଦକୀୟ ନୀତି ନିର୍ଦ୍ଧାରଣ କରାଯାଇଥାଏ ସ୍ଥଳବିଶେଷରେ ତାହା ଭୂଲ ପ୍ରମାଣିତ ହେଉଥିବା ମଧ୍ୟ ଦେଖିବାକୁ ମିଳେ । ଫଳରେ ସଂଶୋଧନ ଆବଶ୍ୟକ ପଡ଼େ ।


 

ଏମିଲି ନିଜ ଗବେଷଣା ପ୍ରକ୍ରିୟା ସଂପର୍କରେ ସବିଶେଷ ବିବରଣୀ ଲିଖିତ ଆକାରରେ ସମ୍ପଦକୀୟ ଓ ପ୍ରସାର ବିଭାଗ ସହକର୍ମ୍ମୀଙ୍କ ମଧ୍ୟରେ ବିତରଣ କରନ୍ତି । ସାଧାରଣରେ ସାକ୍ଷାତକାରଭିତ୍ତିକ ‘ଇଣ୍ଟରଭ୍ୟୁ-ବେସଡ଼’ ଗବେଷଣାରେ ୨୦ ଜଣ ଏବଂ ସର୍ବେକ୍ଷଣଭିତ୍ତିକ ‘ସର୍ଭେ-ବେସଡ଼’ ଗବେଷଣାରେ ହଜାରେ ଯାଏଁ ପାଠକ ସାମିଲ ହୋଇଥାନ୍ତି । ଏହି ନମୂନା ପତ୍ରିକାର ପ୍ରଶଂସକଙ୍କଠାରୁ ଅଣ-ପାଠକ ବର୍ଗ ଯାଏଁ ସଂପ୍ରସାରିତ ।


 

ଏମିଲି ଜାନୁୟାରୀ ୨୦୨୨ରେ ପ୍ରକାଶିତ ଏକ ନିବନ୍ଧରେ ଦର୍ଶାଇଥିଲେ ଯେ ‘ଦି ଆଟାଲାଣ୍ଟିକ’ ପାଠକମାନଙ୍କୁ ମୁଖ୍ୟତଃ ପାଞ୍ଚଗୋଟି କାରଣରୁ ଆକର୍ଷିତ କରୁଥିବା ଗବେଷଣାରୁ ସୁସ୍ପଷ୍ଟ । ପ୍ରଥମତଃ ବିଭିନ୍ନ ବିଷୟରେ ଗଭୀର ଅନୁଧ୍ୟାନରେ ସହାୟତା, ଦ୍ୱିତୀୟତଃ ନୂତନ ଚ଼ିନ୍ତାଧାରା ଓ ତୃତୀୟତଃ ନୂତନ ଲେଖକଙ୍କ ସହ ପରିଚିତି, ଚ଼ତୁର୍ଥତଃ ନିଜସ୍ୱ ଧାରଣା, କଳ୍ପନା ଓ ଅଭିମତ ସହ ପ୍ରତିଦ୍ୱନ୍ଦିତା ଏବଂ ପଞ୍ଚମତଃ ଧରାବନ୍ଧା ଚ଼ିନ୍ତାର ପରିଧିରୁ ବିରତି ନିମନ୍ତେ ପାଠକମାନେ ‘ଦି ଆଟଲାଣ୍ଟିକ’ ଭଳି ପତ୍ରିକାର ଗ୍ରାହକ ଶ୍ରେଣୀଭୁକ୍ତ ହୋଇଥାନ୍ତି । ଏହି ତଥ୍ୟ ୨୦୧୯ରୁ ୨୦୨୧ ଦୁଇ ବର୍ଷ ଧରି ଆୟୋଜିତ ଅନୁଧ୍ୟାନରୁ ଜଣାପଡ଼ିଥିଲା ।


 

ଯୁକ୍ତରାଷ୍ଟ୍ର ଆମେରିକାର ପାଠକଙ୍କ ରୁଚ଼ି ଆନ୍ତର୍ଜାତିକସ୍ତରରେ ସମକାଳରେ ଅନ୍ୟତ୍ର ମଧ୍ୟ ଊଣାଅଧିକେ ପ୍ରଯୁଜ୍ୟ ବୋଲି ବିଚାର କରାଯାଇପାରେ । ଆମ ଭାରତରେ ମୁଦ୍ରିତ ମଞ୍ଚ ଏହି ପାଠକୀୟ ଉପଲବ୍ଧିଠାରୁ ବହୁ ଦୂରରେ ଥିବା ପ୍ରତୀୟମାନ ହୁଏ । ଏହାର ମୁଖ୍ୟ କାରଣ ଆମ ପ୍ରକାଶକ, ସମ୍ପାଦକମାନଙ୍କ ନିକଟରେ ସେମାନଙ୍କ ପ୍ରକାଶନର ପାଠକ କିଏ ଏବଂ ସେ କ’ଣ ପଢ଼ିବାକୁ ଚାହେଁ ସେ ସଂପର୍କରେ ତଥ୍ୟ ଅଭାବ । ପାରମ୍ପରିକଭାବେ ସମ୍ପାଦକମାନେ ନିଜସ୍ୱ ଅନୁମାନିକ ମତ ଉପଯୋଗ କରିଥାନ୍ତି ଏବଂ ତାହା ଅଧିକାଂଶସ୍ତରରେ ଭୂଲ ପ୍ରମାଣିତ ।


 

ମହାମାରି-ପର ପରିବେଶ ‘ନ୍ୟୂ-ନରମଲ’ରେ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରର ଗ୍ରାହକ ଓ ପାଠକ କିଏ ? ହୁଏତ ଉଚ୍ଚ ଶିକ୍ଷିତ, ଆର୍ଥିକ ଦିଗରୁ ସ୍ୱଚ୍ଛଳ ଓ ପଚାଶ ବର୍ଷୋତ୍ତର ଗୃହକର୍ତ୍ତା ଓଡ଼ିଆ ଦୈନିକ ସମ୍ୱାଦପତ୍ରର ପୃଷ୍ଠପୋଷକ । ଏହି ଧାରା ଆନ୍ତର୍ଜାତିକସ୍ତରରେ ଗବେଷଣାରୁ ସୁସ୍ପଷ୍ଟ । ଯେହେତୁ ଓଡ଼ିଶାରେ ଅଳ୍ପଶିକ୍ଷିତ ଓ ନବସାକ୍ଷର ଜନସଂଖ୍ୟା ଅଧିକ ସେମାନଙ୍କ ଲାଗି ଏକ କାଳ୍ପନିକ ରୁଚିକୁ ସୁହାଇଲା ଭଳି ସମ୍ପାଦକୀୟ ନୀତି ଆମେ ସ୍ଥିର କରୁ । ଗାଁ ପାନ ଦୋକାନ, ଚା ଦୋକାନରେ ପଡୁଥିବା ଖବର କାଗଜର ପାଠକ ନବସାକ୍ଷର ହୋଇପାରନ୍ତି, କିନ୍ତୁ ଅଧିକାଂଶ କ୍ଷେତ୍ରରେ ସେମାନେ ଗ୍ରାହକ ନୁହନ୍ତି । ଗ୍ରାହକ ଇଂଲିଶ ଜାଣେ, ଟେଲିଭିଜନ – ଇଣ୍ଟରନେଟ ଦେଖେ ତା’ସହ ଓଡ଼ିଆ ଖବର କାଗଜ କିଣେ । କିନ୍ତୁ ଆମେ ତାହାର ରୁଚିକୁ ଅଣଦେଖା କରୁ ।


 

ଗ୍ରାହକ-ପାଠକ ମୁଦ୍ରିତ ମଞ୍ଚରେ ନୂତନ ଚ଼ିନ୍ତାଧାରା, ନୂତନ ଲେଖକ ଓ ଗଭୀର ଅନୁଶୀଳନ ଆଶା କରୁଥିବା ସ୍ଥଳେ ଯଦି ଦୀର୍ଘକାଳ ଧରି ପାଠକୀୟ ରୁଚି ଚରିତାର୍ଥ ନହୁଏ ତେବେ  ସେ ସଂପୃକ୍ତ ମଞ୍ଚରୁ ଅପସରି ଯିବା ଭୟ ରହିଥାଏ । ସମକାଳୀନ ଗଣମାଧ୍ୟମ ମଞ୍ଚଗୁଡ଼ିକର ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ପରିବେଶରେ ଯଦି କେହି ଜଣେ ଯୁକ୍ତିଯୁକ୍ତ ସମ୍ପାଦକୀୟ ଓ ପ୍ରସାର ନୀତି ସହ ଉପଯୁକ୍ତ ନିବେଶ ନେଇ ପହଞ୍ଚେ ତେବେ ବହୁ ପାରମ୍ପରିକ ମଞ୍ଚର ସତ୍ତା ଲୋପ ପାଇଯିବା ସମ୍ଭବ । କେବଳ ବ୍ୟାବସାୟିକ ଚାତୁର୍ଯ୍ୟ ‘ମାର୍କେଟିଂ ଷ୍ଟାଟେଜି’ରେ ଯେଉଁ ସମ୍ୱାଦ ମଞ୍ଚଗୁଡ଼ିକ ମୁଣ୍ଡ ଟେକିଛନ୍ତି ‘ନ୍ୟୂ-ନରମାଲ’ରେ ପାରିବାରିକ ଖର୍ଚ୍ଚକାଟରେ ସେମାନଙ୍କ ଗ୍ରାହକଚାନ୍ଦା ପ୍ରଥମେ କଟିଯିବ ।


 

ପାଠକୀୟ ପ୍ରତ୍ୟାଶା ଚ଼ରିତାର୍ଥ କରିବା ପ୍ରତ୍ୟେକ ଗଣମାଧ୍ୟମ ମଞ୍ଚ ପ୍ରକାଶକ ଓ ସମ୍ପାଦକଙ୍କ ମୌଳିକ ଦାୟିତ୍ୱ । ପାଠକ କିଏ ଏବଂ ସେ କ’ଣ ଚାହେଁ ତଦ ଅନୁଯାୟୀ ସଂପାଦକୀୟ ନୀତି ଅନୁସୃତ ହେଲେ ପ୍ରକାଶନ ବ୍ୟାବସାୟିକ ସଫଳତା ପାଇପାରିବ । ପରିବର୍ତ୍ତିତ ପରିବେଶରେ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଗ୍ରାହକଚାନ୍ଦା-ଆଶ୍ରିତ ମଡେଲ ଉପଯୋଗ ବାଧ୍ୟବାଧକତାରେ ପରିଣତ ହୋଇଥିବା ହେତୁ ପାଠକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ପ୍ରାଥମିକତା ଦାବୀ କରେ ।


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୮ ଜାନୁୟାରୀ ୨୦୨


 

ତଥ୍ୟ :

 

Goligoski, Emily. Audience research at The Atlantic. How we use it-and what we don’t expect it to do for us. July 10, 2000


 

https://building.theatlantic.com/audience-research-at-the-atlantic-how-we-use-it-and-what-we-dont-expect-it-to-do-for-us-dacbb53bc053


 

Goligoski Emily. The Atlantic spent two years studying what readers and listeners need. Here’s what they found. www.nimanlab.org. January 24, 2022.


 

https://www.niemanlab.org/2022/01/the-atlantic-spent-two-years-studying-what-readers-and-listeners-need-heres-what-they-found/

ପାଠକ-ସହଭାଗୀ ସାମ୍ୱାଦିକତା

ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଉପଭୋକ୍ତା ନିଜ ପକ୍ଷରୁ ସମ୍ୱାଦ ଓ ଅଭିମତ ପାଠ୍ୟ, ଚ଼ିତ୍ର ଓ ଭିଡ଼ିଓ ମାଧ୍ୟମରେ ମଞ୍ଚରେ ଉପସ୍ଥିତ ରହି ଅନ୍ୟ ବ୍ୟକ୍ତିସମୂହଙ୍କ ମଧ୍ୟରେ ପ୍ରସାରଣର ସୁବିଧାସୁଯୋଗ ଉପଭୋଗ କରିପାରିଥାନ୍ତି । ସୋସିଆଲ ମିଡ଼ିଆ ପ୍ରଚଳନ ପୂର୍ବରୁ ମୁଦ୍ରଣ, ରେଡ଼ିଓ ଓ ଟେଲିଭିଜନ ମଞ୍ଚଗୁଡ଼ିକରେ ଏହା ସଂଭବ ନଥିଲା । ପାରମ୍ପରିକ ଗଣମାଧ୍ୟମରେ ସାମ୍ୱାଦିକମାନେ ସମ୍ୱାଦ ରଚନା କରିବାପରେ ସେଗୁଡ଼ିକସମ୍ପାଦକମାନଙ୍କ ଦ୍ୱାରା ସମ୍ପାଦିତ ହୋଇ ପ୍ରକାଶିତ ହୋଇଥାଏ । ସାମ୍ୱାଦିକ ଓ ସମ୍ପାଦକମାନେ ସମ୍ୱାଦ ଚ଼ୟନ କରିଥାନ୍ତି ଏବଂ ପାଠକ ଓ ଦର୍ଶକମାନଙ୍କ ଚୟନ, ସଂଗ୍ରହ, ସମ୍ପାଦନା କିମ୍ୱା ପ୍ରସାରଣରେ କୌଣସି ଭୂମିକା ନଥାଏ ।


 

ପାଠକମାନେ, ବିଶେଷକରି ଯୁବବର୍ଗ ସମ୍ୱାଦ ଆହରଣ ନିମନ୍ତେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହୋଇ ପଡୁଥିବା ଲକ୍ଷ୍ୟ କରାଯାଏ । ଏକ ପକ୍ଷରେ ସେମାନେ ନିଜ କାର୍ଯ୍ୟକ୍ଷେତ୍ର, ବାସ କରୁଥିବା ସହର ତଥା ରୁଚି ସମ୍ୱଳିତ ଖବରଅନ୍ତର ଜାଣିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ସ୍ଥଳେ ଅପରପକ୍ଷରେ ପରିଚ଼ିତବର୍ଗଙ୍କ ଦ୍ୱାରା ଅନୁମୋଦିତ ଦେଶବିଦେଶର ଘଟଣାକ୍ରମଗୁଡ଼ିକ ସଂପର୍କରେ ଜାଣିବାଲାଗି ସୋସିଆଲ ମିଡ଼ିଆ ସୂତ୍ରରୁ ସମ୍ୱାଦପତ୍ର, ଟେଲିଭିଜନ ଚ୍ୟାନେଲ ଇତ୍ୟାଦି ମଞ୍ଚରେ ଇଣ୍ଟରନେଟ ଯୋଗେ ପହଞ୍ଚିଥାନ୍ତି । ପାଠକୀୟ ଆଗ୍ରହ କ୍ରମଶଃ ପ୍ରାଥମିକସ୍ତରରେ ଗୋଷ୍ଠୀକେନ୍ଦ୍ରୀକ ତଥା ପରବର୍ତ୍ତୀସ୍ତରରେ ରାଜ୍ୟ, ରାଷ୍ଟ୍ର ଓ ଆନ୍ତର୍ଜାତିକ କ୍ଷେତ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ ସମ୍ୱାଦ ନିର୍ବାଚନରେ ପର୍ଯ୍ୟବସିତ ହେଉଥିବା ବିଭିନ୍ନ ଅଧ୍ୟୟନରୁ ଜଣାଯାଏ ।


 

ସୋସିଆଲ ମିଡ଼ିଆ ପ୍ରଭାବିତ ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ନିଜକୁ ଯୁଗଉପଯୋଗୀ ଗଢ଼ି ତୋଳିବା ନିମନ୍ତେ ପାଠକ ସହଭାଗୀ ସାମ୍ୱାଦିକତା ‘ରିଡ଼ର୍ସ-ପାର୍ଟିସିପେଟରି ଜର୍ଣ୍ଣାଲିଜମ’ ଏକ ପନ୍ଥା ରୂପେ ଚ଼ିହ୍ନଟ କରାଯାଇପାରେ । ଏତଦ୍ୱାରା ସମ୍ୱାଦପତ୍ର ସହ ପାଠକମାନଙ୍କ ସଂପର୍କ ଦୃଢ଼ୀଭୂତ ହେବା ସଂଭବପର ।


 

ସାମ୍ୱାଦିକତା ସମାଜକେନ୍ଦ୍ରୀକ ଏବଂ ଜନସାଧାରଣଙ୍କ ଆଶାଆକାଂକ୍ଷାର ପ୍ରତିଫଳନ । ପାରମ୍ପରିକଭାବେ ପାଠକମାନଙ୍କ ନିମନ୍ତେ ପ୍ରକାଶକ ଓ ସମ୍ପାଦକମାନେ ସମ୍ୱାଦପତ୍ରର ପାଠ୍ୟ ଓ ଆଙ୍ଗୀକ ପ୍ରସ୍ତୁତ କରିଆସିଥିଲେ । ଏଥି ନିମନ୍ତେ ସେମାନଙ୍କୁ ପାଠକୀୟ ଗତିପ୍ରକୃତିକୁ ଗଭୀର ଅଧ୍ୟୟନ ଓ ଅନୁଧ୍ୟାନ କରିବାକୁ ପଡୁଥିଲା । କେବଳ ‘ସମ୍ପାଦକଙ୍କୁ ପତ୍ର’ ସ୍ତମ୍ଭ, କାଁଭାଁ ଆୟୋଜିତ ପାଠକ ସର୍ବେକ୍ଷଣ ବ୍ୟତୀତ ପାଠକମାନଙ୍କୁ ସମ୍ୱାଦପତ୍ରରେ ପ୍ରକାଶିତ ସମ୍ୱାଦ ସଂପର୍କରେ ଅଭିମତ ଉପସ୍ଥାପନ କରିବାରେ ସୁଯୋଗ ମିଳୁନଥିଲା । ପାଠକମାନେ ଯେ ସମ୍ୱାଦପତ୍ର ପ୍ରଯୋଜନାରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଏହି ଅନୁଭୂତି ପାଠକ ସହଭାଗୀ ସାମ୍ୱାଦିକତା କାର୍ଯ୍ୟସୂଚ଼ୀରେ ପ୍ରତିଫଳିତ ହୋଇଥାଏ ।


 

ସମ୍ୱାଦପତ୍ର ସମ୍ପାଦନାରେ ସମ୍ୱାଦ ଚ଼ୟନ ପ୍ରାଥମିକ ପଦକ୍ଷେପ । ପାଠକମାନଙ୍କୁ ସମ୍ୱାଦ ଚ଼ୟନରେ ଭାଗୀଦାର କରିବା ନିମନ୍ତେ ପାଠକ ସମାବେଶମାନ ଆୟୋଜନ ଫଳପ୍ରଦ ମନେହୁଏ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ନିର୍ଦ୍ଦିଷ୍ଟ ସମ୍ୱାଦପତ୍ରର ପାଠକମାନଙ୍କୁ ମାସିକ, ପାକ୍ଷିକ କିମ୍ୱା ସାପ୍ତାହିକଭିତ୍ତିରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ପ୍ରକାରେ ଏକତ୍ରୀତ କରାଇ ସ୍ଥାନୀୟ ସମସ୍ୟାବଳୀ ସଂପର୍କରେ ବିଚାରବିମର୍ଷକରିବା ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇପାରେ । ଏହି ଅବସରରେ ସଂପୃକ୍ତ ଅଞ୍ଚଳର କେଉଁ ସମସ୍ୟାଗୁଡ଼ିକ ସଂପର୍କରେ ସମ୍ୱାଦ ପ୍ରସ୍ତୁତ କରାଯିବା କଥା ତାହା ନିର୍ଦ୍ଧାରଣ ସଂଭବପର । ସ୍ଥାନୀୟ ସମ୍ୱାଦଦାତାଙ୍କ ଦ୍ୱାରା ସମ୍ୱାଦ ଚ଼ୟନ ତୁଳନାରେ ଏହିଭଳି ସମାବେଶଗୁଡ଼ିକରେ ସମାଜ ଅଭିମୁଖୀ ସମ୍ୱାଦ ଚୟନଲାଗି ବୃହତ୍ତର ସୁଯୋଗ ସୃଷ୍ଟି ବିଶ୍ୱାସ କରାଯାଇପାରେ ।


 

ପାଠକ ସମାବେଶରେ ସମ୍ୱାଦ ଚ଼ୟନ ଅବସରରେ କିଛି ସଂଖ୍ୟକ ପାଠକ ସମ୍ୱାଦ ପ୍ରଯୋଜନା ନିମନ୍ତେ ତଥ୍ୟ ସଂଗ୍ରହରେ ସହାୟତା ପ୍ରଦାନଲାଗି ଆଗ୍ରହ ପ୍ରକାଶ କରିପାରନ୍ତି । ଏହାକୁ ସାଧ୍ୟମତେ ଉତ୍ସାହିତ କରାଯିବା ଉଚ଼ିତ । ମୁଦ୍ରିତ ସମ୍ୱାଦପତ୍ରରେ ଦୁର୍ଘଟଣା ଓ ମାନବୀୟ ଭାବାବେଗ ସମ୍ୱାଦ ‘ହ୍ୟୁମାନ-ଇଣ୍ଟରେଷ୍ଟ ଷ୍ଟୋରି’ ସାଙ୍ଗକୁ ପ୍ରଶାସନିକ ତୃଟିବିଚ୍ୟୁତିକୁ ପ୍ରାଧାନ୍ୟ ଦିଆଯାଉଥିବା ଅବସରରେ ଏସବୁ କ୍ଷେତ୍ରରେ ବିସ୍ତୃତ ବିବରଣୀ ସଂଗ୍ରହରେ ପାଠକମାନଙ୍କ ଯୋଗଦାନ ସମ୍ୱାଦର ଗୁଣବତ୍ତା ବିକାଶରେ ସହାୟକ ହୋଇପାରିବ । ପ୍ରଶାସନିକ କାର୍ଯ୍ୟଦକ୍ଷତା ପରଖିବା ନିମନ୍ତେ ସୂଚ଼ନା ଅଧିକାର ଆଇନ ଉପଯୋଗରେ ସରକାରୀ ନଥିପତ୍ର ସଂଗ୍ରହରେ ପାଠକଙ୍କ ଅଂଶଗ୍ରହଣ ତଥ୍ୟଭିତ୍ତିକ ସମାଲୋଚନା ନିମନ୍ତେ ପଥ ଉନ୍ମୁକ୍ତ କରିପାରିବ ଏବଂ ଏହାର ପ୍ରଭାବରେ ପ୍ରଶାସନିକ ବିଶୃଙ୍ଖଳା ନିୟନ୍ତ୍ରିତ ହୋଇପାରିଲେ ସୁଶାସନ ପ୍ରତିଷ୍ଠାରେ ସଂପୃକ୍ତ ଅଞ୍ଚଳବାସୀ ଉପକୃତ ହୋଇପାରିବେ ।


 

ପାଠକ ସମାବେଶଗୁଡ଼ିକରେସମ୍ୱାଦପତ୍ରରେ ପ୍ରକାଶିତ ସମ୍ୱାଦଗୁଡ଼ିକ ସମୀକ୍ଷା ନିମନ୍ତେ ଅବକାଶ ସୃଷ୍ଟି କରାଯାଇପାରେ । ଏତଦ୍ୱାରା ପ୍ରକାଶିତ ସମ୍ୱାଦର ତୃଟିବିଚ୍ୟୁତି ଚ଼ିହ୍ନଟ ସାଙ୍ଗକୁ ଅପ୍ରକାଶିତ ତଥ୍ୟାବଳୀ ଉନ୍ମୋଚ଼ିତ ହୋଇପାରେ । ନିରପେକ୍ଷ ସମ୍ୱାଦ ପ୍ରକାଶନକୁ ଉତ୍ସାହିତ କରିବା ଦିଗରେ ପାଠକ ସମାବେଶ ପ୍ରକୃଷ୍ଟ ମଞ୍ଚ । ଏଭଳି ବୈଠକଗୁଡ଼ିକରେ ଅନାବଶ୍ୟକ ଯୁକ୍ତିତର୍କ ସଂଭବପର, ତେବେ ସ୍ଥାନୀୟ ସାମ୍ୱାଦିକମାନଙ୍କୁ ସହନଶୀଳ ହେବା ନିମନ୍ତେ ସୁଯୋଗ ସୃଷ୍ଟି କରିପାରେ ।


 

ଆଲୋଚ଼୍ୟ ପାଠକ ସମାବେଶଗୁଡ଼ିକରେ ସ୍ଥଳବିଶେଷରେ ‘ସାଧାରଣ ଆଲୋଚନା’, ଯେଉଁଠାରେକି ସଂପୃକ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ କିମ୍ୱା ‘ବିଷୟଭିତ୍ତିକ ଆଲୋଚ଼ନା’, ଯେଉଁଠାରେକି କେବଳ ଏକ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ସଂପର୍କରେ ବିଚାରବିମର୍ଷ କରାଯାଇପାରେ । ଏତାଦୃଶ ସମାବେଶ ସଂଚାଳନ କରିବା ନିମନ୍ତେ ସାମ୍ୱାଦିକତାରେ ଅଭିଜ୍ଞ ଓ ଲୋକସଂପର୍କରେଧୂରନ୍ଧର ସଂଚାଳକଙ୍କ ଆବଶ୍ୟକତା ପଡ଼ିବ । ପ୍ରାଥମିକସ୍ତରରେ ସମ୍ୱାଦପତ୍ର ମୁଖ୍ୟ କାର୍ଯ୍ୟାଳୟ ସହ ସଂପୃକ୍ତ ଜଣେ ବରିଷ୍ଠ ସାମ୍ୱାଦିକ ବିଭିନ୍ନ ଅଞ୍ଚଳ ଗସ୍ତ କରି କିଛି କାଳ ପାଠକ ସମାବେଶଗୁଡ଼ିକରେ ଅଧ୍ୟକ୍ଷତା କରିବା ଆବଶ୍ୟକ । ନଚେତ ପ୍ରଗଲଭ ପାଠକଙ୍କ ବ୍ୟବହାରରେ ବୈଠକଗୁଡ଼ିକ ମୂଳରୁ ବିଶୃଙ୍ଖଳିତ ହୋଇପଡ଼ି ଯୋଜନାଟିକୁ ଭଣ୍ଡୁର କରିପାରେ । ପ୍ରଥମେ ସୀମିତ ଅଞ୍ଚଳରେ ସମାବେଶ ଆୟୋଜନର ପ୍ରଥା ଆରମ୍ଭ କରାଯାଇ ପର୍ଯ୍ୟାୟକ୍ରମେ ଅନ୍ୟତ୍ର ପ୍ରସାର ସଂଭବପର ।


 

ପାଠକ ସମାବେଶଗୁ଼ଡ଼ିକରେ ଚ଼ିହ୍ନଟ ହୋଇଥିବା ବିଭିନ୍ନ ସମସ୍ୟା ସ୍ଥାନୀୟ ସାମ୍ୱାଦିକଙ୍କୁ ସମ୍ୱାଦ ପ୍ରଯୋଜନାରେ ସହାୟତା ଦେବ । ଜନସାଧାରଣଙ୍କ ଜିଜ୍ଞାସାରେ ସମ୍ୱାଦ ପ୍ରଯୋଜିତ ହେଲେ ଅନାବଶ୍ୟକ ରାଜନୀତିକ ଦଳ, ସାଂସ୍କୃତିକ ଅନୁଷ୍ଠାନ ଓ ପ୍ରଶାସନ ଦ୍ୱାରା ବିତରିତ ପ୍ରେସରିଲିଜଭିତ୍ତିକ ସାମ୍ୱାଦିକତାର ଅନ୍ତ ଘଟିବ । କାରଣ ସାଧାରଣ ପାଠକ ସେଭଳି ସମ୍ୱାଦ ପାଠ କରିବା ନିମନ୍ତେ ଆଗ୍ରହୀ ନଥାନ୍ତି ଏବଂ ସାମ୍ୱାଦିକମାନେ ବିଷୟବସ୍ତୁ ଅଭାବରେ ବାଧ୍ୟବାଧକତାରେ ପ୍ରେସରିଲିଜଭିତ୍ତିକ ସମ୍ୱାଦ ପରିବେଷଣରେ ଶରଣାପନ୍ନ ହୋଇଥାନ୍ତି ।


 

ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରେ ତତ୍କାଳ ସମ୍ୱାଦ‘ ବ୍ରେକିଂନିଉସ’ ଯୁଗ ଶେଷ ହୋଇସାରିଛି । ୨୦୨୨ ସୁଦ୍ଧା ଭାରତରେ ୯୦ କୋଟି ଜନସଂଖ୍ୟାଙ୍କ ହାତପାଆନ୍ତାରେ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ସଂଯୁକ୍ତି ଆକଳନ କରାଯାଉଥିବା ଅବସରରେ ଜନସାଧାରଣ ଘଟଣା ପ୍ରବାହର ତତ୍କାଳୀନ ବିବରଣୀ ଡ଼ିଜିଟାଲ ମଞ୍ଚରେ ପାରମ୍ପରିକ ଗଣମାଧ୍ୟମ ହେଉ କିମ୍ୱା ସୋସିଆଲ ମିଡ଼ିଆ ଯୋଗେ ପାଇପାରିବେ । ଏପରିକି ଘଟଣାର ଭିଡ଼ିଓ ଭାଇରାଲ ହୋଇସାରିଥିବ । ମୁଦ୍ରିତ ସମ୍ୱାଦପତ୍ର ଭାଗରେ ଅନୁଶୀଳନ ଓ ଅନୁସନ୍ଧାନଭାରପଡ଼ିବ । ଏହି ଭୂମିକା ନିର୍ବାହ ନିମନ୍ତେ ସୃଜନ, ସମୟ ଓ ଅର୍ଥ ବିନିଯୋଗ ବହୁ କ୍ଷେତ୍ରରେ ସଂଭବ ହୋଇ ନପାରେ ।ଏତାଦୃଶ ପରିସ୍ଥିତିରେ ପାଠକ ମହଲରୁ ଘଟଣାକେନ୍ଦ୍ରୀକ ଆଗ୍ରହୀ ବ୍ୟକ୍ତିବିଶେଷଙ୍କ ସହଯୋଗ ଗ୍ରହଣ କରାଯାଇପାରେ । ମୌଳିକଭାବେ ଏହା ସମସ୍ୟାବହୁଳ ପ୍ରତୀୟମାନ ହେଉଥିଲେ ହେଁ ଏଥି ନିମନ୍ତେ ଜଣେ ଦକ୍ଷ ସମ୍ପାଦକଙ୍କୁ ନିଯୁକ୍ତ କଲେ ସେ ଅବସ୍ଥା ସମ୍ଭାଳିପାରିବେ ।


 

ପାଠକ ସମାବେଶ ଆୟୋଜନ ସମ୍ୱାଦପତ୍ରର ଲୋକସଂପର୍କ ବୃଦ୍ଧିରେ ସହାୟକ ହେବା ନିଶ୍ଚିତ । ଭବିଷ୍ୟତରେ ସମ୍ୱାଦପତ୍ରଗୁଡ଼ିକ ଗ୍ରାହକଚ଼ାନ୍ଦା ଆଶ୍ରିତ ଓ ବଦାନ୍ୟତାଭିତ୍ତିକ ବ୍ୟାବସାୟିକ ମଡ଼େଲ ଅନୁସରଣ କରିବା ସମ୍ଭାବନା ପରିପ୍ରେକ୍ଷୀରେ ପାଠକ ସହଭାଗୀ ସାମ୍ୱାଦିକତା ଗୁରୁତ୍ୱ ବହନ କରିଥାଏ । ପାଠକ ସମାବେଶ ଆୟୋଜନ ଓ ଚର୍ଚ୍ଚିତ ବିଷୟବସ୍ତୁ ବିବରଣୀ ପ୍ରସାରଣରେ ସମ୍ୱାଦପତ୍ରର ସୋସିଆଲ ମିଡ଼ିଆ ମଞ୍ଚ ଉପଯୋଗ ଅବସରରେ ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣ ସମ୍ୱାଦପତ୍ର ଏକାଉଣ୍ଟ ପ୍ରତି ଆକର୍ଷିତ ହେବେ ଏବଂ ସମୟକ୍ରମେ ସଂପର୍କ ଦୃଢ଼ୀକରଣରେ ସହାୟକ ହେବା ସମ୍ଭବପର । ଅତଏବ ପାଠକ ସହଭାଗୀ ସାମ୍ୱାଦିକତା ନୀତି ପ୍ରବର୍ତ୍ତନ ଦ୍ୱାରା ସମ୍ୱାଦପତ୍ରର ସମ୍ପାଦକୀୟ ଓ ବ୍ୟାବସାୟିକ ଉଭୟ ଦିଗ ପ୍ରଭାବିତ ହେବା ସଙ୍ଗେ ଗଣତନ୍ତ୍ରର ବିକାଶରେ ଚତୁର୍ଥସ୍ତମ୍ଭର ଭୂମିକା ନିର୍ବାହରେ ଜନସାଧାରଣଙ୍କୁ ସାମିଲ କରିବାରେ ସହାୟକ ହେବା ଆଶା କରାଯାଇପାରେ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୭ ଜାନୁୟାରୀ ୨୦୨


ତଥ୍ୟ:


Huslanger, Julia. Let Your audience in with public powered journalism – August 19, 2019 <www.rtdna.org/article/let-your-audience-in-with-public-parened-journalism>


ଲୋକାଭିମୁଖୀ ସାମ୍ୱାଦିକତା

ଜନସ୍ୱାର୍ଥ ସୁରକ୍ଷା ଲକ୍ଷ୍ୟବଦ୍ଧ ସାମ୍ୱାଦିକତା ଲୋକାଭିମୁଖୀ ‘ପବ୍ଳିକ ଇଣ୍ଟରେଷ୍ଟ ଜର୍ଣ୍ଣାଲିଜମ’ ନାମିତ । ‘କୋଭିଡ଼-୧୯’ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନିଉ ନରମାଲ’ରେ ବିଶ୍ୱବ୍ୟାପୀ ପାରମ୍ପରିକ ସାମ୍ୱାଦିକତା ମଡ଼େଲଗୁଡ଼ିକ ବିଘଟନ ‘ଡ଼ିସରାପସନ’ ସମ୍ମୁଖୀନ ହେଉଥିବାସ୍ଥଳେ ଲୋକାଭିମୁଖୀ ସାମ୍ୱାଦିକତା ମୂଳସ୍ରୋତ ‘ମେଇନ ଷ୍ଟ୍ରୀମ’ ଗଣମାଧ୍ୟମର ବିଶ୍ୱସନୀୟତା ଓ ଗ୍ରହଣୀୟତା ଫେରାଇ ଆଣିବାରେ ସହାୟକ ହେଉଥିବା କେତେକ ଗବେଷଣାରେ ପ୍ରମାଣିତ ହେବାପରେ ଗୁରୁତ୍ୱଲାଭ କରିଛି । ଉପରଠାଉରିଆଭାବେ ସାମ୍ୱାଦିକତାରେ ଜନଜୀବନ ପ୍ରତିବିମ୍ୱିତ ହେଉଥିବା ଯୁକ୍ତି ଆଧାରରେ ସନ୍ତୋଷ ପରିବର୍ତ୍ତେ ସାମାଜିକ ସମସ୍ୟାଗୁଡ଼ିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା ଲୋକାଭିମୁଖୀ ସାମ୍ୱାଦିକତାର ମୂଳ ଉତ୍ସ । ଗଣମାଧ୍ୟମ ପରିବେଶରେ ବୈଷୟିକ ପ୍ରଗତି ସହ ତାଳ ରଖି ସମ୍ୱାଦ ମଞ୍ଚଗୁଡ଼ିକ ନିଜସ୍ୱ ସତ୍ତା ବଜାୟ ରଖିବା ନିମନ୍ତେ ଲୋକାଭିମୁଖୀ ସାମ୍ୱାଦିକତା ପ୍ରବର୍ତ୍ତନକୁ ଏକ ସୁଯୋଗଭାବେ ଗ୍ରହଣ କରିବା ସମୟ ଉପନୀତ ।


 

ଲୋକାଭିମୁଖୀ ସାମ୍ୱାଦିକତା ସ୍ୱତନ୍ତ୍ର ସମ୍ପାଦକୀୟ ଆଭିମୁଖ୍ୟର ପ୍ରତିଫଳନ । ଗଣମାଧ୍ୟମ ବିଶେଷଜ୍ଞମାନଙ୍କ ବିଚାରରେ ଜନସାଧାରଣଙ୍କ ଜିଜ୍ଞାଷା ତଥା ଜାଣିବାର ଅଧିକାର ଚରିତାର୍ଥ କରିବା ସାମ୍ୱାଦିକତାର ଧର୍ମ । ବିଭିନ୍ନ ସାମାଜିକ ସୂଚ଼ନା ସାମ୍ୱାଦିକମାନେ ଉନ୍ମୋଚନରେ ଅବହେଳା କଲେ ସେଗୁଡ଼ିକ ଅପ୍ରକାଶିତ, ଅନାଲୋଚ଼ିତ ହୋଇ ଜନଜୀବନରେ କ୍ଷତି ପହୁଞ୍ଚାଇଥାଏ । ସମ୍ୱାଦ ମଞ୍ଚ ସମ୍ୱାଦ ସହ ସର୍ବସାଧାରଣରେ ଅଭିମତ ପ୍ରକାଶନ ଜରିଆରେ ବିତର୍କଲାଗି ସୁଯୋଗ ସୃଷ୍ଟି କରିଥାଏ । ଗଣତନ୍ତ୍ରରେ ଏହି ପରିବେଶ ସମୀକ୍ଷା, ସଂଶୋଧନ ଓ ଯୋଜନା ପ୍ରଣୟନରେ ପର୍ଯ୍ୟବସିତ । ସାମ୍ୱାଦିକମାନେ ବୃତ୍ତିରେ ନିୟୋଜିତ, ଅଭିଜ୍ଞ ଓ ତାଲିମପ୍ରାପ୍ତ । ଅନ୍ୟମାନଙ୍କଠାରୁ ଏଦିଗରେ ପାରଦର୍ଶିତା ଆଶା କରାଯାଇନପାରେ ।


 

ସାମ୍ୱାଦିକତା ସ୍ୱଭାବତଃ ଅନୁସନ୍ଧାନଧର୍ମୀ ହୋଇଥିଲେହେଁ ବିଧିବଦ୍ଧ ଅନୁସନ୍ଧାନମୂଳକ ସମ୍ୱାଦ ରଚନା ‘ଇନଭେଷ୍ଟିଗେଟିଭ ରିପୋର୍ଟିଂ’ ଅତୀତରେ ବହୁ ଅଘଟଣର ପର୍ଦ୍ଦାଫାଶ କରିଥିବା ଉଦାହରଣ ଚର୍ଚ୍ଚିତ । ଲୋକାଭିମୁଖୀ ସାମ୍ୱାଦିକତା ଆୟୋଜନରେ ସମ୍ୱାଦ ମଞ୍ଚ ପ୍ରକାଶକ ଓ ସମ୍ପାଦକମାନେ ଅନୁସନ୍ଧାନଧର୍ମୀ ସମ୍ୱାଦ ରଚନାକୁ ଅଗ୍ରାଧିକାର ଦେଇଥାନ୍ତି । ସାମ୍ୱାଦିକମାନେ ଅନୁସନ୍ଧାନଧର୍ମୀ ସମ୍ୱାଦିକତାରେ ମାନବୀୟ ସମ୍ମାନ ‘ହ୍ୟୁମାନ ଡ଼ିଗ୍ନିଟି’ ଏବଂ ସାଂସ୍କୃତିକ ପୃଷ୍ଠଭୂମି ‘କଲଚରାଲ ରିଫେରେନ୍ସ’କୁ ପ୍ରାଧାନ୍ୟ ଦେବା ବିଧେୟ । ଏଥି ନିମନ୍ତେ ସାମ୍ୱାଦିକତାରେ ନୈତିକତା ଓ ପ୍ରଚଳିତ ଆଇନକାନୁନ ପରିଧିରେ ବିଚରଣ କରିବାକୁ ପଡ଼ିଥାଏ । ପାଠକ, ଶ୍ରୋତା ଓ ଦର୍ଶକଙ୍କ ମନୋରଞ୍ଜନ ବଦଳରେ ଜନଜୀବନର ମାନବୃଦ୍ଧି ଲୋକାଭିମୁଖୀ ସାମ୍ୱାଦିକତା ମୂଳଲକ୍ଷ୍ୟ ।


 

ଲୋକାଭିମୁଖୀ ସାମ୍ୱାଦିକତାର ବିଭିନ୍ନ ବିଭବ ମଧ୍ୟରେ ସମ୍ୱାଦ ବସ୍ତୁନିଷ୍ଠ ‘ଅବଜେକ୍ଟିଉଭ’, ସ୍ୱାଧୀନ ‘ଇଣ୍ଡିପେଣ୍ଡେଣ୍ଟ’, ସନ୍ତୁଳିତ ‘ଫେୟାର’, ବିଶ୍ୱସନୀୟ ‘ଟ୍ରଷ୍ଟୱାରଦି’, ସାମାଜିକ ଦାୟବଦ୍ଧ ‘ସୋସିଆଲ ରେସପନସିବଲ’ ଏବଂ ନୈତିକତା ପ୍ରଭାବ ‘ଏଥିକାଲ ସେନସିବିଲଟି’ ଇତ୍ୟାଦି ପ୍ରଧାନ । ଏହି ପରିସୀମାରେ ସାମ୍ୱାଦିକ ସାମାଜିକ ପ୍ରହରୀ ‘ୱଚ଼ଡ଼ଗ’ ଭୂମିକା ନିର୍ବାହ କରିଥାଏ । ସମ୍ୱାଦମଞ୍ଚ ପକ୍ଷରୁ ସୂଚ଼ନା ପ୍ରସାରଣରେ ସାଧାରଣ ନାଗରିକ ସାମାଜିକ ସ୍ଥିତାବସ୍ଥା ସଂପର୍କରେ ଅବଗତ ହୋଇ ନିର୍ବାଚନ ପ୍ରକ୍ରିୟାରେ ମତ ସାବ୍ୟସ୍ତ କରିବା ଦ୍ୱାରା ଗଣତାନ୍ତ୍ରିକ ଶାସନ ସୁଦୃଢ ହୁଏ । ଗୁଣାତ୍ମକ ସାମ୍ୱାଦିକତା ଅଭାବରେ ନାଗରିକମାନେ ବହୁ ବିଷୟରେ ଅଜ୍ଞ ରହିଯିବା ବା ଭୂଲ ବୁଝିବା ଯୋଗୁଁ ସାମାଜିକ ସଂସ୍କାର ଓ ନିର୍ବାଚନରେ ତୃଟିପୂର୍ଣ୍ଣ ଆଚ଼ରଣ ହେତୁ  ମନୁଷ୍ୟକୃତ ଦୁର୍ଦ୍ଦଶାଗ୍ରସ୍ତ ହୋଇଥାନ୍ତି ।


 

ମୁଦ୍ରଣ ବୈଷୟିକ କୌଶଳ ପ୍ରସାର କାଳରେ ଆଧୁନିକ ସାମ୍ୱାଦିକତାର ପରିପ୍ରକାଶ ଘଟିଥିଲା । ଏଥି ସହ ସମତାଳରେ ବିଶ୍ୱବ୍ୟାପୀ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଅଭ୍ୟୁଦୟ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପକ୍ରମ । ବୈଷୟିକ ବିପ୍ଳବ, ସାମ୍ୱାଦିକତା ଓ ଗଣତନ୍ତ୍ର ବିଗତ ପାଞ୍ଚଶହ ବର୍ଷ ଧରି ବିଶ୍ୱବ୍ୟାପୀ ଜନଜୀବନର ଗୁଣାତ୍ମକ ବିକାଶର ଅନ୍ୟତମ ତ୍ରିକୋଣ ସୂତ୍ରଧର ସାଜିଛି । ବିଂଶ ଶତାଦ୍ଦୀର ଶେଷ ପାଦରେ ଇଣ୍ଟରନେଟ ବିକାଶ ଏବଂ ଏକବିଂଶ ଶତାଦ୍ଦୀ ପ୍ରଥମ ଦୁଇ ଦଶକରେ ସ୍ମାର୍ଟ ମୋବାଇଲ ଫୋନ ବ୍ୟାପ୍ତି ଆନ୍ତର୍ଜାତିକସ୍ତରରେ ସାମ୍ୱାଦିକତାକୁ ପ୍ରଭାବିତ କରିଛି ଏବଂ ଗଣତନ୍ତ୍ରର ଭିତ୍ତିଭୂମି ମଧ୍ୟ ଦୋହଲି ଯାଇଛି ।


 

ମୁଦ୍ରିତ ସମ୍ୱାଦ ମଞ୍ଚ ଅଷ୍ଟାଦଶ ଶତାଦ୍ଦୀ ଆରମ୍ଭରୁ ଦୁଇଶହ ବର୍ଷ ଧରି ବିଜ୍ଞାପନ ଆଶ୍ରିତ ମଡ଼େଲରେ ପରିପୁଷ୍ଟ ହୋଇଥିଲା । ପ୍ରକାଶକଗଣ ସମ୍ୱାଦ ଉତ୍ପାଦ, ଯଥା : ମୁଦ୍ରିତ ସମ୍ୱାଦପତ୍ର ଓ ପତ୍ରପତ୍ରିକା ବ୍ୟବସାୟରେ ସାଧାରଣରେ ୮୫ ପ୍ରତିଶତ, ଏପରିକି ସ୍ଥଳବିଶେଷରେ ଶତପ୍ରତିଶତରୁ ଉର୍ଦ୍ଧ୍ୱ ଆୟ ବିଜ୍ଞାପନ ଏବଂ ମାତ୍ର ପନ୍ଦର ପ୍ରତିଶତ କିମ୍ୱା ତାହାଠାରୁ କମ ବିକ୍ରୀମୂଲ୍ୟ ଗ୍ରାହକଚାନ୍ଦା ଉପରେ ନିର୍ଭର କରୁଥିଲେ । ଫଳରେ ସମ୍ୱାଦ ଉପଭୋକ୍ତାମାନେ ଉତ୍ପାଦନ ଖର୍ଚ୍ଚଠାରୁ ଢ଼େର କମ ଦରରେ ସମ୍ୱାଦପତ୍ର ଖରିଦ କରିବା ସମ୍ଭବ ହେଉଥିଲା । ଏହି ମଡ଼େଲ ବିଂଶ ଶତାଦ୍ଦୀର ପ୍ରଥମ ଭାଗରେ ବିକଶିତ ରେଡ଼ିଓ, ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଟେଲିଭିଜନ ଏପରିକି ଶେଷ ଦଶକରେ ଡିଜିଟାଲ ମଞ୍ଚ ପ୍ରକାଶନରେ ମଧ୍ୟ ବିନିଯୋଗ ହୋଇଥିଲା ।


 

ପାରମ୍ପରିକ ବ୍ୟାବସାୟିକ ମଡ଼େଲରେ ପ୍ରଥମତଃ, ସମ୍ପାଦକମାନେ ପାଠକ, ଶ୍ରୋତା ଓ ଦର୍ଶକଙ୍କ ଅଭିରୁଚ଼ି ଆକଳନ ଦାୟିତ୍ୱ ନିର୍ବାହ କରୁଥିଲେ । ଦ୍ୱିତୀୟତଃ, ସମ୍ପାଦନାମଣ୍ଡଳୀ ‘ନିଉଜ ରୁମ’ ମାଧ୍ୟମରେ ଘଟଣା, ‘ଫେକ୍ଟ’, ଚ଼ିତ୍ର ‘ଇମେଜେସ’, ଅଭିମତ ‘ଓପିନିୟନ’, ପୃଷ୍ଠଭୂମି ‘କନଟେକ୍ସଟ’ ଓ ଦୃଷ୍ଟିକୋଣ ‘ପ୍ରେସପେକ୍ଟିଉଭ’ ନିର୍ବାଚନ ତଥା ନିର୍ଦ୍ଧାରଣ କାର୍ଯ୍ୟାବଳୀ ସମାହିତ ହେଉଥିଲା । ତୃତୀୟତଃ, ପରିଚାଳକ ‘ମ୍ୟାନେଜର’ମାନେ ସମ୍ୱାଦ କର୍ମୀଙ୍କ ଦକ୍ଷତା ବୃଦ୍ଧି ଓ ଖର୍ଚ୍ଚକାଟ ତତ୍ତ୍ୱାବଧାନ ଏବଂ ଚ଼ତୁର୍ଥତଃ, ବିଜ୍ଞାପନ ଓ ପ୍ରସାର ଦାୟିତ୍ୱରେ ଥିବା କର୍ମଚାରୀମାନେ ବ୍ୟାବସାୟିକ ଆୟ ତଦାରଖ କରୁଥିଲେ । ବିଶ୍ୱର ସର୍ବତ୍ର ଏହି ମଡ଼େଲର ରୂପାୟନ ନିମନ୍ତେ ସୁଦୃଢ଼ ଭିତ୍ତିଭୂମି ଓ ପର୍ଯ୍ୟାପ୍ତ ସଂଖ୍ୟକ ସମ୍ୱାଦ କର୍ମ୍ମୀ ଓ ପରିଚାଳକଙ୍କୁ ନିଯୁକ୍ତ କରାଯାଇ ଆସିଛି । ଏମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଅଭିଜ୍ଞ ଏବଂ ସ୍ୱଳ୍ପ ସଂଖ୍ୟକ ତାଲିମପ୍ରାପ୍ତ । ସମ୍ୱାଦ କର୍ମ୍ମୀଙ୍କ ମଧ୍ୟରେ ଅଣ-ତାଲିମପ୍ରାପ୍ତଙ୍କୁ ଚ଼ିହ୍ନଟ କରିବାର କାରଣ ଏହିଯେ ପରିବର୍ତ୍ତିତ ପରିବେଶରେ ସାଧାରଣରେ ଅଣ-ତାଲିମପ୍ରାପ୍ତଙ୍କୁ ପୁନଃ-ତାଲିମ ପ୍ରଦାନ କଷ୍ଟସାଧ୍ୟ ।


 

ବିକଶିତ ରାଷ୍ଟ୍ରଗୁଡ଼ିକରେ ୧୯୯୫ ସୁଦ୍ଧା ପାରମ୍ପରିକ ସମ୍ୱାଦ ବ୍ୟବସାୟ ମଡ଼େଲ ସୁଦୃଢ଼ ଥିବା ସ୍ଥଳେ କ୍ରମଶଃ ଡିଜିଟାଲ ମଞ୍ଚର ଆବିର୍ଭାବ, ସର୍ଚ୍ଚଇଞ୍ଜିନ, ଇ-କମର୍ସ ଓ ସୋସିଆଲ ମିଡ଼ିଆର ପ୍ରସାର ତଥା ସ୍ମାର୍ଟଫୋନ ଭଳି ମୋବାଇଲ ଉପକରଣ ବ୍ୟବହାର ମୁଦ୍ରଣ ଗଣମାଧ୍ୟମରେ ଗୁରୁତର ବିଭ୍ରାଟ ସୃଷ୍ଟି କଲା । ଅନଲାଇନ ପରିବେଶରେ ଉପଭୋକ୍ତାମାନେ ଦୀର୍ଘ ସମୟ ଅତିବାହିତ କରିବା ତଥା ବିନାମୂଲ୍ୟରେ ସମ୍ୱାଦ ହାତପାଆନ୍ତାରେ ଆକର୍ଷଣୀୟ ଆଙ୍ଗିକରେ ପାଇପାରିବା ପରେ ସମ୍ୱାଦପତ୍ର ଓ ଟେଲିଭିଜନକୁ ହତାଦାର କରିବାକୁ ଲାଗିଲେ । ସମ୍ପାଦକୀୟ ନୀତି ନିର୍ଦ୍ଧାରଣରେ ଏକଚାଟିଆ ନିୟନ୍ତ୍ରଣରେ ଅତିଷ୍ଠ ସମ୍ୱାଦ ପାଠକବର୍ଗ ଭୌଗଳିକ ସୀମାପାର ସୂତ୍ର ଖୋଜି ନୂତନ ଉପତ୍ୟକାରେ ବିଚ଼ରଣକୁ ପସନ୍ଦ କଲେ । ଅନଲାଇନ ପରିଧିରେ ଅନ୍ୱେଷଣ ‘ବ୍ରାଉଜିଂ’ ଏକ ନିରନ୍ତନ ପ୍ରକ୍ରିୟା । ସର୍ବୋପରି ସୋସିଆଲ ମିଡ଼ିଆର ପ୍ରସାର ପରେ ସାଧାରଣ ଉପଭୋକ୍ତା ନିଜ ପରିବାର, ପରିଚ଼ିତବର୍ଗ ଓ ରୁଚ଼ି ଅନୁଯାୟୀ ସମ୍ୱାଦ ସୂତ୍ର ନିର୍ବାଚ଼ନକୁ ଗୁରୁତ୍ୱ ଦେଲେ । ଫଳତଃ ପାରମ୍ପରିକ ସମ୍ୱାଦ ମଞ୍ଚର ପାଠକ ଓ ଗ୍ରାହକ ହାନୀ ଅଣାୟତ୍ତ ହୋଇ ପଡ଼ିଲା ।


 

ବ୍ୟାବସାୟିକ କ୍ଷେତ୍ରରେ ପାରମ୍ପରିକ ମଡ଼େଲରେ ବିଜ୍ଞାପନ ଆୟ ମୂଳ ଭିତ୍ତି ପାଲଟିଥିବା ଅବସରରେ ଇ-କମର୍ସ, ସର୍ଚ୍ଚ ଇଞ୍ଜନ ଓ ସୋସିଆଲ ମିଡ଼ିଆକୁ ବିଜ୍ଞାପନ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଲା । ବିକଶିତ ରାଷ୍ଟ୍ରଗୁଡ଼ିକରେ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶନ୍ଧିରେ ପ୍ରାୟ ଅର୍ଦ୍ଧେକ ସମ୍ୱାଦ ମଞ୍ଚ ବନ୍ଦ ହୋଇଯାଇଥିବା ତଥା ସମପରିମାଣରେ ସମ୍ୱାଦକର୍ମ୍ମୀ ନିଯୁକ୍ତି ହରାଇଥିବା ସ୍ଥଳେ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହି ପରିବର୍ତ୍ତନର ପ୍ରଭାବ ଅନୁଭବ ନହେବା ବିଶ୍ୱାସରେ ମୂଳସ୍ରୋତର ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ମହାମାରୀ-ପୂର୍ବାବସ୍ଥା ଯାଏଁ ନିଶ୍ଚିନ୍ତ ରହିଥିଲେ । ତେବେ ୨୦୨୧ ମଧ୍ୟଭାଗ ସୁଦ୍ଧା ଦେଢ଼ ବର୍ଷ ଧରି ମହାମାରୀଜନିତ ସୃଷ୍ଟ ଅର୍ଥନୀତିକ ମାନ୍ଦାବସ୍ଥା ଓ ଗଣମାଧ୍ୟମ ଉପଭୋକ୍ତାଙ୍କ ପରିବର୍ତ୍ତିତ ଆଚ଼ରଣ ଅନେକଙ୍କୁ ବିସ୍ମିତ କଲା । ସମ୍ୱାଦ ମଞ୍ଚ ପରିଚାଳନାରେ ମହାମାରୀ-ପୂର୍ବାବସ୍ଥା ଫେରିବା ବିଶ୍ୱାସ ସମକାଳର ସ୍ଥିତାବସ୍ଥା ଭୂଲ ପ୍ରମାଣିତ କରିବାରେ ଲାଗିଲା ।


 

ବିକଶିତ ରାଷ୍ଟ୍ରଗୁଡ଼ିକରେ ସମ୍ୱାଦ ମଞ୍ଚ ପରିଚାଳନାଗତ ଅଭିଜ୍ଞତାରୁ ଜଣାଯାଉଛି ଯେ ଜନସାଧାରଣଙ୍କ ପରିବର୍ତ୍ତିତ ଗଣମାଧ୍ୟମ ଆହରଣ ଅଭ୍ୟାସ ‘ପବ୍ଳିକସ ଚ଼େଇଜିଂ ହେବିଟ୍ସ ଅଫ ମିଡ଼ିଆ କନଜମ୍ପସନ’କୁ ତାଳ ଦେଇ ସମ୍ପାଦକୀୟ ନୀତି ବଦଳି ନପାରିଲେ ପାଠକ ହରାଇବାକୁ ପଡ଼ିଥାଏ । ବିଗତ ତିନି ଦଶକରେ ବନ୍ଦ ହୋଇଯାଇଥିବା ଅଧିକାଂଶ ସମ୍ୱାଦ ମଞ୍ଚ ପାରମ୍ପରିକ ବ୍ୟାବସାୟିକ ମଡ଼େଲ ଜାବୁଡ଼ି ଧରି ବସିଥିଲେ । ପ୍ରଚଳିତ ବିଜ୍ଞାପନ-ଆଶ୍ରିତ ବ୍ୟବସାୟକୁ କିପରି କ୍ରିୟାଶୀଳ କରାଯାଇପାରିବ ସେଦିଗରେ ଅହରହ ଉଦ୍ୟମ ‘ଟ୍ରାଇ ହାର୍ଡର ଷ୍ଟାର୍ଟାଜି’ ଅନୁସରଣ କରିଥିଲେ । କିନ୍ତୁ କ୍ରମଶଃ ବିଜ୍ଞାପନ ଓ ଗ୍ରାହକ ଚାନ୍ଦା ଉଭୟ ହରାଇ ବ୍ୟବସାୟ ବନ୍ଦ କରିବାକୁ ପଡ଼ିଥିଲା ।


 

ଗବେଷକମାନେ ପାଶ୍ଚାତ୍ୟ ମୂଳସ୍ରୋତ ସମ୍ୱାଦ ମଞ୍ଚର ଦୁର୍ଦ୍ଦଶା ନିମନ୍ତେ ଅତ୍ୟାଧୁନିକ ବୈଷୟିକ କୌଶଳକୁ ଦାୟୀ କରିବା ପରିବର୍ତ୍ତେ ପାରମ୍ପରିକ ବ୍ୟାବସାୟିକ ମଡ଼େଲ ନବଦଳାଇବା, ଅନଲାଇନ ପରିବେଶକୁ ସାମ୍ନା କରିବା ନିମନ୍ତେ ଅଫଲାଇନ ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶରେ ପାରଦର୍ଶିତା ହାସଲ ନକରିପାରିବା ଏବଂ ସର୍ବୋପରି ନୂତନ ଆୟ ସୂତ୍ର ପ୍ରଯୋଜନାରେ ଅକ୍ଷମତା ଇତ୍ୟାଦି ଭୂଲଭଟ୍ଟକା ଚ଼ିହ୍ନଟ କରିଥାନ୍ତି । ସମ୍ୱାଦ ମଞ୍ଚରେ ସଙ୍କଟ ସୃଷ୍ଟିକାଳରେ ସାମ୍ୱାଦିକମାନଙ୍କୁ ଛଟେଇ କରିବା ଫଳରେ ସମ୍ୱାଦ ପରିବେଷଣରେ ଉତ୍କର୍ଷ ହ୍ରାସ ପାଇଥିଲା । ଫଳରେ ପାରମ୍ପରିକ ସମ୍ୱାଦ ମଞ୍ଚର ପାଠକ ସଂଖ୍ୟା ମଧ୍ୟ ସଂକୁଚିତ ହେବାରେ ଲାଗିଲା । ଅନ୍ୟପକ୍ଷରେ ଅନଲାଇନ ପରିବେଶରେ ନିର୍ଭରଯୋଗ୍ୟ ସମ୍ୱାଦ ସୂତ୍ର ଅଭାବରେ ସାଧାରଣ ପାଠକ ଅସତ୍ୟ, ଗୁଜବ, ଅତିରଞ୍ଜିତ, ଉଦ୍ଦେଶ୍ୟପ୍ରଣୋଦିତ ସମ୍ୱାଦ ଆହରଣ କରିବାକୁ ବାଧ୍ୟ ହେଲା । ସାମଗ୍ରିକଭାବେ ଏତାଦୃଶ ଘଟଣାକ୍ରମ ସାମାଜିକ ଓ ରାଜନୀତିକ ବିଶୃଙ୍ଖଳାକୁ ଇନ୍ଧନ ଯୋଗାଇଲା । ଏହା ଜାତୀୟ ବିପତ୍ତି ପର୍ଯ୍ୟାୟଭୁକ୍ତ ।


 

ସମ୍ୱାଦ ମଞ୍ଚ ବ୍ୟବସାୟରେ ମହାମାରୀ-ପର ପରିବର୍ତ୍ତିତ ପରିବେଶରେ ବିଜ୍ଞାପନ ଆୟ ଓ ପାଠକ ସଂଖ୍ୟା ହ୍ରାସ ଅବସରରେ ଲୋକାଭିମୁଖୀ ସାମ୍ୱାଦିକତା ନୀତି ପ୍ରବର୍ତ୍ତନ ଉଭୟ କ୍ଷେତ୍ରରେ ଯଥାସଂଭବ ଉନ୍ନତି ଆଣିବା ବିଶ୍ୱାସ କରାଯାଇପାରେ । ଉତ୍ତର ଆମେରିକାର ବହୁ ସମ୍ୱାଦପତ୍ର, ରେଡ଼ିଓ ଷ୍ଟେସନ ଓ ଟେଲିଭିଜନ ଚ଼୍ୟାନେଲ ଲୋକାଭିମୁଖୀ ଆଭିମୁଖ୍ୟକୁ ଗୁରୁତ୍ୱ ଦେବା ପରେ ପାଠକ, ଶ୍ରୋତା ଓ ଦର୍ଶକ ବୃଦ୍ଧିରେ ପର୍ଯ୍ୟବସିତ ହୋଇଥିବା ଜଣାଯାଏ । ଲୋକାଭିମୁଖୀ ସାମ୍ୱାଦିକତାରେ ସମ୍ପାଦକୀୟ ନୀତି ପରିବର୍ତ୍ତନ ସହ ନିଜସ୍ୱ ପାଠକ ସମାଜକୁ ସମ୍ୱାଦ ପ୍ରଯୋଜନା, ସମ୍ୱାଦ ମଞ୍ଚରେ ଆର୍ଥିକ ନିବେଶ ଓ ବ୍ରାଣ୍ଡ ପ୍ରଚାର ପ୍ରସାର ପ୍ରତ୍ୟେକ କ୍ଷେତ୍ରରେ ସାମିଲ କରାଯାଇଥାଏ ।


 

କେବଳ ବିଜ୍ଞାପନ ଓ ଗ୍ରାହକ ଚାନ୍ଦା ବଦଳରେ ସମ୍ୱାଦ ମଞ୍ଚ ପାଠକବର୍ଗ ଓ ସାମାଜିକ ସଂଗଠନଗୁଡ଼ିକରୁ ସହଭାଗିତା ସୂତ୍ରରୁ ଆୟ ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ କରିବା ଆବଶ୍ୟକ । ଏହି କ୍ଷେତ୍ରରେ ପ୍ରଚଳିତ ଧାରାର ବୈଧିକରଣ କରିବା ପ୍ରାଥମିକତା ଦାବୀକରେ । ବ୍ୟାବସାୟିକ ବିଜ୍ଞାପନ ଅଭାବରେ ପ୍ରାୟୋଜିତ ସମ୍ପାଦକୀୟ ରଚ଼ନା ‘ଏଡ଼ଭୋଟୋରିଆଲ’ ଓ ସାମାଜିକ ବିଜ୍ଞାପନ ‘ସୋସିଆଲ ଏଡ଼ଭଟାଇଜିଂ’ ବିକଳ୍ପ ଆୟର ମାଧ୍ୟମରୂପେ ଗ୍ରହଣ କରାଯାଇପାରେ । ସାମ୍ୱାଦିକତା ଜନହିତକଳ୍ପେ ନିୟୋଜିତ ହେଲେ ବଦାନ୍ୟତା ଉଭୟ ଭିତ୍ତିଭୂମି ସଂପ୍ରସାରଣରେ ନିବେଶ ଓ ପରିଚାଳନା ବ୍ୟୟ ଭରଣା କରିବାରେ ଆପତ୍ତି ନଥାଏ । ଅବଶ୍ୟ ସମ୍ୱାଦ ମଞ୍ଚ ମାଲିକାନା ଅଣ-ଲାଭଜନକ ପର୍ଯ୍ୟାୟକୁ ପରିବର୍ତ୍ତିତ ହେବା ସମୀଚ଼ୀନ ।


 

ଲୋକାଭିମୁଖୀ ସାମ୍ୱାଦିକତାରେ ପାଠକୀୟ ଆଗ୍ରହ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ, ସମ୍ୱାଦ ମଞ୍ଚ ପକ୍ଷରୁ ଜନସାଧାରଣଙ୍କ ବ୍ୟବହାର୍ଯ୍ୟ ସୂଚନା ପରିବେଷଣ ପାଠକଙ୍କୁ ଆକର୍ଷିତ କରେ । ଦ୍ୱିତୀୟତଃ, କ୍ରମାଗତଭାବେ ଏକକ ସୂତ୍ରରୁ ଆବଶ୍ୟକୀୟ ସମ୍ୱାଦ ଆହରଣ ଫଳରେ ପାଠକ ସମ୍ୱାଦ ମଞ୍ଚ ପ୍ରତି ଅନୁଗତ ହୋଇପଡ଼େ । ତୃତୀୟତଃ, ପାଠକ ବାରମ୍ୱାର ସଂପୃକ୍ତ ସମ୍ୱାଦ ମଞ୍ଚରେ ପହଞ୍ଚିଥାଏ । ଚ଼ତୁର୍ଥତଃ, ଅନୁଗତ ପାଠକ ସମ୍ୱାଦ ମଞ୍ଚ ପରିଚାଳନା ନିମନ୍ତେ ଆର୍ଥିକ ସହଯୋଗ ଦେବାରେ ଅବହେଳା କରେନାହିଁ । ପଞ୍ଚମତଃ, ଅନୁଗତ ପାଠକମାନେ ସମ୍ୱାଦ ମଞ୍ଚର ପ୍ରଶସ୍ତି ନିଜ ପରିଚ଼ିତବର୍ଗଙ୍କ ମଧ୍ୟରେ କଥୋପକଥନ ଓ ସୋସିଆଲ ମିଡ଼ିଆଯୋଗେ ପ୍ରସାର କରନ୍ତି । ଏହା ନୂତନ ପାଠକ, ଶ୍ରୋତା ଓ ଦର୍ଶକଙ୍କୁ ସଂପୃକ୍ତ ସମ୍ୱାଦମଞ୍ଚ ପ୍ରତି ନିକଟତର କରାଇଥାଏ ।


 

ଲୋକଭିମୁଖୀ ସାମ୍ୱାଦିକତା ପ୍ରବର୍ତ୍ତନଲାଗି ପାଠକ ସଂପୃକ୍ତି ‘ରିଡର୍ସ ଏଙ୍ଗେଜମେଣ୍ଟ’ ପ୍ରତି ସମ୍ୱାଦ ମଞ୍ଚପକ୍ଷରୁ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ ହେଲେ ପାଠକ ସହଭାଗିତା ‘ରିଡ଼ର୍ସ ପାର୍ଟିସେପସନ’ ଦ୍ୱାର ଉନ୍ମୁକ୍ତ ହୋଇଥାଏ । ପାରମ୍ପରିକ ବ୍ୟାବସାୟିକ ମଡ଼େଲ ସାମନ୍ତବାଦୀ ଚ଼ିନ୍ତାଧାରା ସମ୍ୱଳିତ ହୋଇଥିବା ସ୍ଥଳେ ଲୋକାଭିମୁଖୀ ସାମ୍ୱାଦିକତା ଗଣମାଧ୍ୟମ ଉପତ୍ୟକାରେ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି କରେ । ସମ୍ୱାଦ ମଞ୍ଚଗୁଡ଼ିକର ସମ୍ପାଦକୀୟ ଆଭିମୁଖ୍ୟଦ୍ୱାରା ବ୍ୟାବସାୟିକ ପରିଚାଳନା ନୀତି କ୍ରମଶଃ ପ୍ରଭାବିତ ହୁଏ । ପ୍ରତ୍ୟେକ ସମ୍ୱାଦମଞ୍ଚ ନିଜସ୍ୱ ଅନୁଗତ ପାଠକମଣ୍ଡଳୀ ‘କମ୍ୟୁନିଟି’ ଗଠନ ନକରିପାରିଲେ ବହୁମୁଖୀ ଗଣମାଧ୍ୟମ ପରିବେଶରେ ଏଣିକି ତିଷ୍ଠିବା ଅସଂଭବ ବିଚାର କରାଯାଏ ।


 

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ରଏଟର ଇନଷ୍ଟିଟିଉଟ ଅଫ ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ ପକ୍ଷରୁ ମହାମାରୀ ପୂର୍ବାବସ୍ଥା ୨୦୧୯ରେ ବିଶ୍ୱବ୍ୟାପୀ ୪୦ ରାଷ୍ଟ୍ରର ୨୦୦ ଗୋଟି ସମ୍ୱାଦ ମଞ୍ଚ ଗହଣରେ ଆୟୋଜିତ ସର୍ବେକ୍ଷଣରେ ତତ୍କାଳୀନ ବ୍ୟାବସାୟିକ ଆୟ ସୂତ୍ର ସଂପର୍କରେ ତଥ୍ୟ ସଂଗୃହୀତ ହୋଇଥିଲା । ସେଥିରୁ ଜଣାଯାଇଥିଲା ଯେ ସମଗ୍ର ଆୟର ୫୨ ପ୍ରତିଶତ ଗ୍ରାହକ ଚାନ୍ଦା, ୨୭ ପ୍ରତିଶତ ବ୍ୟାବସାୟିକ ବା ଡ଼ିସପ୍ଳେ ବିଜ୍ଞାପନ, ୮ ପ୍ରତିଶତ ସ୍ଥାନୀୟ ବା ନେଟିଭ ବିଜ୍ଞାପନ, ୭ ପ୍ରତିଶତ ବଦାନ୍ୟତା, ୩ ପ୍ରତିଶତ ଅନ୍ୟାନ୍ୟ ବ୍ୟବସାୟ ଏବଂ ଦୁଇ ପ୍ରତିଶତ ଲେଖା ଇଲୋକ୍ଟ୍ରିନିକ କମର୍ସ ଓ ଇଭେଣ୍ଟର ଆୟ ଲକ୍ଷ୍ୟ ରଖିଥିଲେ । ଏହି ତାଲିକାରୁ ବିଜ୍ଞାପନ ସୂତ୍ରରୁ ଆୟ ହ୍ରାସ, ଗ୍ରାହକ ଚାନ୍ଦାକୁ ପ୍ରାଧାନ୍ୟ ଏବଂ ଅନ୍ୟାନ୍ୟ ପାଠକ ସଂପୃକ୍ତି ଆୟ ଗଢ଼ି ତୋଳିବା ନିମନ୍ତେ ଉଦ୍ୟମ ବେଶ ପ୍ରମାଣିତ ।


 

ଅତଏବ, ଲୋକାଭିମୁଖୀ ସାମ୍ୱାଦିକତା ମଡ଼େଲ ଉପଯୋଗ ଫଳରେ ସମ୍ପାଦକୀୟ ନୀତି ଏବଂ ବ୍ୟାବସାୟିକ ଢ଼ାଞ୍ଚା ପରିବର୍ତ୍ତନ ସଂପୃକ୍ତ ମଞ୍ଚ ପାଠକଙ୍କୁ ଆକର୍ଷିତ କରି ଅନୁଗତ ପାଠକ ମଣ୍ଡଳୀ ଗଠନରେ ପର୍ଯ୍ୟବସିତ । ବିଜ୍ଞାପନ-ଆଶ୍ରିତ ମଡ଼େଲରୁ ଅପସରି ଗ୍ରାହକ ଦେୟ ଓ ସାମାଜିକ ବିଜ୍ଞାପନ ଆୟ ଉପରେ ନିର୍ଭରଶୀଳ ବ୍ୟବସାୟ ସମ୍ୱାଦମଞ୍ଚକୁ ସ୍ୱାବଲମ୍ୱୀ ଗଢ଼ି ତୋଳେ । ଏହି ପରିବେଶ ଜନସ୍ୱାର୍ଥ ସାଧନରେ ସାମ୍ୱାଦିକତାର ଭୂମିକା ଚ଼ରିତାର୍ଥ କରିବା ସହ ସମକାଳୀନ ସାମ୍ୱାଦିକତାକୁ ଭାରତରେ ସ୍ୱାଧୀନତା ସଂଗ୍ରାମ କାଳର ସମ୍ମାନଜନକ ସ୍ଥିତିକୁ ଯେ ଫେରାଇ ନେବା ସଂଭବ-ଏହା ବିଶ୍ୱାସଯୋଗ୍ୟ ।


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୦ ସେପ୍ଟେମ୍ୱର ୨୦୨

 

ତଥ୍ୟ:

 

Cavson, Andrea. What is public interest journalism ? The Conversation. June 15, 2017


 

https://theconversation.com/explainer-what-is-public-interest-journalism-78996


 

Some viable models for digital public interest journalism 


 

http://www.profesionaldelainformacion.com/contenidos/2021/ene/medina-sanchez-breiner.pdf

ବିଶ୍ୱସନୀୟ ସାମ୍ୱାଦିକତା ବିକାଶ 

ସାମ୍ୱାଦିକତା, ପ୍ରକାରନ୍ତେ ସମ୍ୱାଦ ଶିଳ୍ପରେ ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ପାରମ୍ପରିକ ବିଜ୍ଞାପନ-ଆଶ୍ରିତ ବ୍ୟାବସାୟିକ ମଡ଼େଲ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଫଳରେ ଗ୍ରାହକ ଚାନ୍ଦାକୁ ବିକଳ୍ପ ଆୟ ରୂପେ ଚ଼ିହ୍ନଟ କରାଗଲା । କିନ୍ତୁ ବିଶ୍ୱବ୍ୟାପୀ ବିଭିନ୍ନ ଭୌଗଳିକ ପରିସୀମାରେ ବିଭିନ୍ନ କାରଣରୁ ସମ୍ୱାଦ ମଞ୍ଚ ବିଶ୍ୱସନୀୟତା ହରାଇ ବସିଥିବା ହେତୁ ଜନସାଧାରଣଙ୍କ ମଧ୍ୟରେ ସମ୍ୱାଦ ବିମୁଖ ମନୋଭାବ ବୃଦ୍ଧି ପାଇ ଚାଲିଛି । ଫଳତଃ ଗ୍ରାହକ ଚାନ୍ଦା ଆଶ୍ରିତ ମଡ଼େଲ ସମ୍ୱାଦ ଶିଳ୍ପରେ ଆର୍ଥିକ ସ୍ଥିରତା ଆଣିବାରେ ଅସମର୍ଥ ପ୍ରମାଣିତ ହେଉଥିବା ଦେଖିବାକୁ ମିଳେ ।

 

‘ନ୍ୟୂ-ନରମାଲ’ରେ ଅନଲାଇନ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପରେ ଦ୍ରବ୍ୟ ଓ ସେବା ବିଜ୍ଞାପନ ସର୍ଚ୍ଚ ଇଞ୍ଜିନ, ଇ-କମର୍ସ ଓ ସୋସିଆଲ ମିଡ଼ିଆକୁ ସ୍ଥାନାନ୍ତରିତ ହେବାରେ ଲାଗିଛି । ମୁଦ୍ରଣ କଳା-କୌଶଳ ଉଦ୍ଭାବନରେ ବହୁଳ ପ୍ରସାରିତ ସମ୍ୱାଦପତ୍ରସହ ଯୋଡ଼ି ହେବା ଦୁଇ ଶହ ବର୍ଷର ପରମ୍ପରାର ଅନ୍ତ ଘଟିଛି କିମ୍ୱା ଅନ୍ତ ଘଟିବାକୁ ଯାଉଛି । ଏହି ପ୍ରବାହ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ ଓ ନିଉଜ ୱେବସାଇଟ ସମସ୍ତ କ୍ଷେତ୍ରରେ ସମଭାବେ ପ୍ରଯୁଜ୍ୟ । ପରିବର୍ତ୍ତିତ ପରିସ୍ଥିତିରେ ଯାବତୀୟ ଉପଭୋକ୍ତା-କେନ୍ଦ୍ରୀକ ଦ୍ରବ୍ୟ ଓ ସେବା ଭଳି ସମ୍ୱାଦକୁ ମଧ୍ୟ ବିକ୍ରୀଯୋଗ୍ୟ ଗଢ଼ିତୋଳିବା ସମ୍ୱାଦ ଶିଳ୍ପ ନିମନ୍ତେ ମୁଖ୍ୟ ଆହ୍ୱାନ ।

 

ଏତାଦୃଶ ପରିପ୍ରେକ୍ଷୀରେ ସମ୍ୱାଦ ମଞ୍ଚର ବିଶ୍ୱସନୀୟତା ପ୍ରତିଷ୍ଠା ଓ ଉପଭୋକ୍ତାଙ୍କ ମଧ୍ୟରେ ସମ୍ୱାଦ ବିମୁଖ ପରିବେଶ ଦୂରୀକରଣ ପ୍ରାଥମିକ ପଦକ୍ଷେପ । ଏହି ଦୁଇଗୋଟି ସମସ୍ୟା ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚଗୁଡ଼ିକୁ ଭାରାକ୍ରାନ୍ତ କରିଥିବା ସ୍ଥଳେ ବିକଶିତ ଓ ବିକାଶଶୀଳ ଉଭୟ ସମାଜରେ ବହୁବିଧ ଉଦ୍ୟମର ଉଦାହରଣ ଦେଖିବାକୁ ମିଳେ । ସାମ୍ୱାଦିକତାରେ ବିଶ୍ୱସନୀୟତା ଅଧ୍ୟୟନ ନିମନ୍ତେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ରଏଟର୍ସ ଇନଷ୍ଟିଟିଉଟ ଅଫ ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ ପକ୍ଷରୁ ସମ୍ୱାଦର ବିଶ୍ୱସନୀୟତା ଯୋଜନା ‘ଟ୍ରଷ୍ଟ ଇନ ନିଉଜ ପ୍ରୋଜେକ୍ଟ’ ନାମକ ଏକ ଗବେଷଣା ପ୍ରକଳ୍ପ ୨୦୨୦ରୁ କାର୍ଯ୍ୟକାରୀ ହେଉଛି ।

 

‘ଟ୍ରଷ୍ଟ ଇନ ନିଉଜ ପ୍ରୋଜେକ୍ଟ’ ଆନୁକୂଲ୍ୟରେ ଦୁଇଗୋଟି ରିପୋର୍ଟ ପ୍ରକାଶନ ପରେ ସେପ୍ଟେମ୍ୱର ୨୦୨୩ରେ ଚୂଡ଼ାନ୍ତ ତୃତୀୟ ରିପୋର୍ଟ ପ୍ରକାଶ ପାଇଛି । ଆନ୍ତର୍ଜାତିକସ୍ତରରେ ସାମ୍ୱାଦିକତାରେ ବିଶ୍ୱସନୀୟତା ପ୍ରତିଷ୍ଠା ନିମନ୍ତେ ସାଧାରଣ ନାଗରିକଙ୍କ ଦୃଷ୍ଟିକୋଣ ପରିମାପ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଭାରତ ଓ ବ୍ରାଜିଲ ଚାରିଗୋଟି ରାଷ୍ଟ୍ରରେ ପ୍ରତ୍ୟେକଟିରୁ ଦୁଇ ହଜାର ପାଖାପାଖି ନାଗରିକଙ୍କଠାରୁ ଅନଲାଇନ ଓ ପ୍ରତ୍ୟକ୍ଷ ସାକ୍ଷାତକାର ମାଧ୍ୟମରେ ତଥ୍ୟ ସଂଗୃହୀତ ହୋଇଥିଲା । ଭାରତରେ ୨୦୨୩ରେ ଆୟୋଜିତ ତୃତୀୟ ସର୍ବେକ୍ଷଣରେ ୨,୫୦୦ ନାଗରିକ ପ୍ରତ୍ୟକ୍ଷ ସାକ୍ଷାତକାରରେ ଅଂଶଗ୍ରହଣ କରିଥିଲେ । ହିନ୍ଦି, ଆସାମୀ, ବଙ୍ଗଳା, ଓଡ଼ିଆ, ତେଲୁଗୁ, ତାମିଲ, ମାଳାୟଳମ, କନ୍ନଡ଼, ମରାଠୀ ଓ ଗୁଜରାଟୀ ଦଶଗୋଟି ଭାଷାଭାଷୀ ଅଞ୍ଚଳରେ ମୁହାଁମୁହିଁ ସାକ୍ଷାତକାର ଆୟୋଜନ କରାଯାଇଥିଲା ।

 

‘ଟ୍ରଷ୍ଟ ଇନ ନିଉଜ ପ୍ରୋଜେକ୍ଟ’ର ତିନିବର୍ଷ ବ୍ୟାପୀ ଧାରାବାହିକ ଗବେଷଣା ଅବସରରେ ବିଚାରବିମର୍ଷ, ସର୍ବେକ୍ଷଣ ଓ ତଥ୍ୟଭିତ୍ତିକ ଆକଳନ ମାଧ୍ୟମରେ ସାମ୍ୱାଦିକତାର ବିଶ୍ୱସନୀୟତା ବିକାଶକଳ୍ପେ ବିଭିନ୍ନ ସମ୍ୱାଦ ମଞ୍ଚ ପକ୍ଷରୁ ପ୍ରାୟୋଜିତ ଚାରିଗୋଟି ପଦକ୍ଷେପ ଚ଼ିହ୍ନଟ ହୋଇଥିଲା । ପ୍ରଥମତଃ, ସମ୍ୱାଦ ଉପଭୋକ୍ତାମାନେ ନକାରାତ୍ମକ ସମ୍ୱାଦ ପ୍ରତି ବିତୃଷ୍ଣା ଭାବ ପ୍ରକାଶ କରୁଥିବା ହେତୁ ସକାରାତ୍ମକ ସମ୍ୱାଦ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ । ତେବେ ଏହା ପ୍ରଶଂସା-ସର୍ବସ୍ୱ ସମ୍ୱାଦ ପରିବେଷଣକୁ ବୁଝାଏ ନାହିଁ । କୌଣସି ସାମାଜିକ ସମସ୍ୟା ବର୍ଣ୍ଣନା କାଳରେ ସେହି ସମସ୍ୟାର କିପରି ସମାଧାନ ସମ୍ଭବପର ସେହି ଦିଗରେ ଆଲୋକପାତକୁ ସକାରାତ୍ମକ କୁହାଯିବ । ଚଳନ୍ତି ସାମ୍ୱାଦିକତାରେ ଏହି ଧାରାକୁ ସମାଧାନ ସାମ୍ୱାଦିକତା ‘ସଲ୍ୟୁସନ ଜର୍ଣ୍ଣାଲିଜମ’ ନାମିତ କରାଯାଉଛି ।

 

ଦ୍ୱିତୀୟତଃ, ସମ୍ୱାଦ ପରିବେଷଣ କାଳରେ ସମ୍ୱାଦ ମଞ୍ଚଗୁଡ଼ିକ ବ୍ୟାପକ ସ୍ୱଚ୍ଛତା ଅବଲମ୍ୱନ କଲେ ସମ୍ୱାଦର ବିଶ୍ୱସନୀୟତା ବୃଦ୍ଧି ପ୍ରାପ୍ତ ହେବ । ଉଦାହରଣରେ ଏକ ସମ୍ୱାଦ ପ୍ରକାଶନ କାଳରେ ଏହା କେଉଁ ସୂତ୍ରରୁ ସଂଗ୍ରହ କରାଗଲା, ସୂତ୍ରର ବିଶ୍ୱସନୀୟତା ସଂପର୍କରେ ଟୀପ୍ପଣି ଓ ଘଟଣାର ପାରିପାର୍ଶ୍ୱିକ ପରିବେଶ ବର୍ଣ୍ଣନା ସମ୍ୱାଦର ବିଶ୍ୱସନୀୟତା ବୃଦ୍ଧିରେ ସହାୟକ । ତୃତୀୟତଃ, ସମ୍ୱାଦ ସଂସ୍ଥାରେ ନିୟୋଜିତ ସାମ୍ୱାଦିକ ଓ ସମ୍ୱାଦ ସଂସ୍ଥାର ଗ୍ରହଣୀୟତା ପ୍ରକାଶିତ ସମ୍ୱାଦର ବିଶ୍ୱସନୀୟତା ବୃଦ୍ଧି କରିଥାଏ । ଉଦାହରଣରେ ସମ୍ୱାଦ ସହ ସାମ୍ୱାଦିକଙ୍କ ନାମ ଉଲ୍ଲେଖ କରାଯିବା ଦ୍ୱାରା ପାଠକ ସାମ୍ୱାଦିକଙ୍କ ଦକ୍ଷତା, ଦୃଷ୍ଟିକୋଣ ଓ ନିର୍ଭରଯୋଗ୍ୟତା ସଂପର୍କରେ ଅବଗତ ହୋଇ ତାଙ୍କରି ଦ୍ୱାରା ପ୍ରସ୍ତୁତ ସମ୍ୱାଦକୁ ବିଶ୍ୱାସ କରିନେଇଥାନ୍ତି ।

 

ଚ଼ତୁର୍ଥତଃ, ସମ୍ୱାଦ ମଞ୍ଚଗୁଡ଼ିକ ଉପଭୋକ୍ତାଙ୍କ ସହ ସଂପର୍କ ସ୍ଥାପନ କଲେ ସମ୍ୱାଦ ମଞ୍ଚରେ ପ୍ରକାଶିତ ସମ୍ୱାଦ ଉପଭୋକ୍ତଙ୍କ ବିଶ୍ୱାସଭାଜନ ହୋଇଥାଏ । ମୁଦ୍ରିତ ସମ୍ୱାଦପତ୍ରରେ ସଂପାଦକଙ୍କୁ ପତ୍ର, ମୁକ୍ତ ଫର୍ଦ୍ଦଠାରୁ ଆରମ୍ଭ କରି ଅନଲାଇନ ସମ୍ୱାଦ କ୍ଷେତ୍ରରେ ପ୍ରତ୍ୟେକ ପୋଷ୍ଟ ଶେଷରେ ପାଠକୀୟ ଅଭିମତ ‘କମେଣ୍ଟ’ର ବ୍ୟବସ୍ଥା, ଉପଭୋକ୍ତା ସମାବେଶ ଓ ଉପଭୋକ୍ତା ସଂଗଠନ ପରିକଳ୍ପନା ‘ନିଉଜ କନଜ୍ୟୁମର ଏଙ୍ଗେଜମେଣ୍ଟ’ର ଅଂଶବିଶେଷ ଭାବେ ପରିଗଣିତ । ସମସାମୟିକ ସମ୍ୱାଦ ପରିବେଷଣ କ୍ଷେତ୍ରରେ ବିଶ୍ୱସନୀୟତା ବିକାଶ ନିମନ୍ତେ ବିଭିନ୍ନ ସମ୍ୱାଦ ମଞ୍ଚରେ ଅନୁସରଣ କରାଯାଉଥିବା ଏହି ଚାରିଗୋଟି ଦିଗରେ ସାଧାରଣ ଉପଭୋକ୍ତାମାନଙ୍କ ଅଭିମତ ପ୍ରଶ୍ନାବଳୀ ମାଧ୍ୟମରେ ଆଲୋଚ୍ୟ ସର୍ବେକ୍ଷଣରେ ସଂଗ୍ରହ ନିମନ୍ତେ ଉଦ୍ୟମ କରାଯାଇଥିଲା ।

 

‘ଟ୍ରଷ୍ଟ ଇନ ନିଉଜ ପ୍ରୋଜେକ୍ଟ’ ରିପୋର୍ଟରେ କୁହାଯାଇଛି ଯେ ସାମଗ୍ରିକଭାବେ ବିଶ୍ୱବ୍ୟାପୀ ସମ୍ୱାଦ ଉପଭୋକ୍ତାମାନେ ସଠିକ ‘ଏକ୍ୟୁରେଟ’, ନିରପେକ୍ଷ ‘ଇମ୍ପପାରସିଆଲ’ ଓ ବ୍ୟବସ୍ଥିତ ‘ଫେୟାର’ ସମ୍ୱାଦ ପରିବେଷଣକୁ ଅଗ୍ରାଧିକାର ଦେଇଥାନ୍ତି । ଅବଶ୍ୟ ଏହି ତିନିଗୋଟି ବିଭବ ଭିନ୍ନ ଭିନ୍ନ ଭୌଗଳିକ ପରିବେଶରେ ଭିନ୍ନ ଭିନ୍ନ ମାନାଙ୍କ ଗ୍ରହଣ କରିଥାଏ । ସମ୍ୱାଦ ଉପଭୋକ୍ତାମାନେ ସମ୍ୱାଦ ମଞ୍ଚରେ ପକ୍ଷପାତିତା ଓ ଅସ୍ୱଚ୍ଛ କାରବାର ନାପସନ୍ଦ କରିଥିଲେ । ଜନଜୀବନର ସମସ୍ୟା ସମ୍ୱାଦରେ ପ୍ରତିଫଳିତ ହେବା ଉଚ଼ିତ ବୋଲି ମତ ରଖିଥିଲେ । ତେବେ ବିଭିନ୍ନ ଅଞ୍ଚଳରେ ସମ୍ୱାଦର ବିଶ୍ୱସନୀୟତାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଥିଲା ଏବଂ ବିଶ୍ୱସନୀୟତା ବିକାଶରେ କୌଣସି ନିର୍ଦ୍ଦିଷ୍ଟ ସର୍ବସମତ୍ତ ଦୃଷ୍ଟିକୋଣ ନିର୍ଦ୍ଧାରିତ ହୋଇପାରିନଥିଲା ।

 

ସାମଗ୍ରିକ ଭାବେ ଜନସାଧାରଣରେ ସାମ୍ୱାଦିକତାର ବିଶ୍ୱସନୀୟତା ହ୍ରାସ ପାଇଥିବା ସ୍ଥଳେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଭାରତ ଓ ବ୍ରାଜିଲରେ ଯେଉଁମାନେ କମମାତ୍ରାରେ ସମ୍ୱାଦ ଆହରଣ କରନ୍ତି ସେମାନଙ୍କ ମଧ୍ୟରେ ବିଶ୍ୱସନୀୟତାର ମାତ୍ରା ମଧ୍ୟ କମ ହିସାବ କରାଯାଇଥିବା ଆଲୋଚ୍ୟ ଅଧ୍ୟୟନର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ସାମ୍ୱାଦିକତାରେ ବିଶ୍ୱସନୀୟତା ପୁନଃପ୍ରତିଷ୍ଠା ଦିଗରେ ବିକଶିତ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନରେ ସମ୍ୱାଦ ମଞ୍ଚଗୁଡ଼ିକ ପକ୍ଷରୁ ତାତ୍ପର୍ଯ୍ୟପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ଥଳେ ବିକାଶଶୀଳ ରାଷ୍ଟ୍ର ଭାରତ ଓ ବ୍ରାଜିଲରେ କମ ପରିମାଣରେ ପରିଦୃଷ୍ଟ । ଗବେଷଣାରୁ ଡିଜିଟାଲ ମଞ୍ଚର ବିସ୍ତୃତି, ରାଜନୀତିକ ପୃଷ୍ଠଭୂମି ଓ ଉପଭୋକ୍ତାଙ୍କ ମଧ୍ୟରେ ସମ୍ୱାଦ ବିମୁଖ ପରିବେଶକୁ ସାମ୍ୱାଦିକତାରେ ବିଶ୍ୱସନୀୟତା ହାନୀ ନିମନ୍ତେ ଅନ୍ୟତମ ମୁଖ୍ୟ କାରଣ ରୂପେ ଦର୍ଶାଯାଇଛି । ‘ଟ୍ରଷ୍ଟ ଇନ ନିଉଜ ପ୍ରୋଜେକ୍ଟ’ର ଚୂଡ଼ାନ୍ତ ତୃତୀୟ ରିପୋର୍ଟ ସମ୍ୱାଦମଞ୍ଚଗୁଡ଼ିକୁ ବିଶ୍ୱସନୀୟତା ବିକାଶ କ୍ଷେତ୍ରରେ ସହାୟକ ହେବା ଆଶା ପ୍ରକାଶ କରାଯାଇଛି । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୯ ସେପ୍ଟେମ୍ୱର ୨୦୨

 

ତଥ୍ୟ:

 

Benerjee, Sayan et.al Strategies for building trust in news : What the public say they want across four countries.

 

https://reutersinstitute.politics.ox.ac.uk/strategies-building-trust-news-what-public-say-they-want-across-four-countries


ସମାଧାନ ସାମ୍ୱାଦିକତା 

ଆନ୍ତର୍ଜାତିକସ୍ତରରେ ବିବିଧ ବିକଳ୍ପ ସାମ୍ୱାଦିକତା ଧାରା ମଧ୍ୟରେ ମାର୍କିନ ସାମ୍ୱାଦିକତାରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ପ୍ରବର୍ତ୍ତିତ ‘ସମାଧାନ ସାମ୍ୱାଦିକତା’ ଅନ୍ୟତମ ଚର୍ଚ୍ଚିତ ଉପକ୍ରମ । ସମାଧାନ ସାମ୍ୱାଦିକତା ସାମାଜିକ ସମସ୍ୟାବଳୀ ସମାଧାନର ସୂତ୍ର ନିର୍ଦ୍ଧାରଣରେ ଲକ୍ଷ୍ୟବଦ୍ଧ । କୌଣସି ସାମାଜିକ ସମସ୍ୟାର ଗଭୀର ଅନୁଧ୍ୟାନ କରି ସମାଧାନ ଦିଗରେ ବିଭିନ୍ନ ସୂତ୍ରରୁ ପ୍ରଯୋଜିତ ଉଦ୍ୟମ ଅନୁଶୀଳନ ତଥା ଅନ୍ୟତ୍ର ଅନୁସୃତ ସଫଳ ଉଦାହରଣ ଉପସ୍ଥାପନ କରି ଦିଗଦର୍ଶନ ସମାଧାନ ସାମ୍ୱାଦିକତା ନାମିତ ।

 

ସମ୍ୱାଦ ରଚନା କାଳରେ ସଫଳତା ଓ ବିଫଳତା ପ୍ରଶଂସା ବା ସମାଲୋଚ଼ନାର ଶୀକାର ହୋଇଥାଏ । ସମାଧାନ ସାମ୍ୱାଦିକତାରେ ଉଭୟ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପଗୁଡ଼ିକ ବର୍ଣ୍ଣନାକୁ ଗୁରୁତ୍ୱ ଦିଆଯାଏ । ବିଫଳତାର ସମାଲୋଚନା ଅବସରରେ କେଉଁ ସବୁ କାରଣରୁ ଯୋଜନା ବାଟବଣା ହେଉଛି ସେ ସଂପର୍କରେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଉପସ୍ଥାପନ କରାଯାଏ । ସେହିପରି କ’ଣ ସବୁ ପଦକ୍ଷେପ ଗ୍ରହଣ କଲେ ସଫଳତା ହାସଲ ହୋଇପାରିବ ସେଦିଗରେ ମଧ୍ୟ ଆଲୋକପାତ ଗୁରୁତ୍ୱ ବହନ କରେ । ଏତଦ୍ୱାରା ସମାଜରେ ସକାରାତ୍ମକ ପ୍ରଭାବ ପଡୁଥିବା ପ୍ରମାଣିତ ।

 

ସମକାଳରେ ସାମ୍ୱାଦିକତାରେ ତୃଟି-ବିଚ୍ୟୁତି ବର୍ଣ୍ଣନା ସର୍ବାଗ୍ର ସ୍ଥାନ ଗ୍ରହଣ କରେ । ବିଗତ ଶତାଦ୍ଦୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ-ପର ତଥା ଜଗତୀକରଣ-ପୂର୍ବ ଅବସ୍ଥାରେ ବିଶ୍ୱବ୍ୟାପୀ ସାମ୍ୱାଦିକତାରେ ଅନୁସନ୍ଧାନମୂଳକ ସାମ୍ୱାଦିକତା ‘ଇନଭେଷ୍ଟଗେଟିଭ ଜର୍ଣ୍ଣାଲିଜମ’ ପ୍ରାଧାନ୍ୟ ଲାଭ କରିଥିଲା । ଏକବିଂଶ ଶତାଦ୍ଦୀ ପ୍ରଥମ ଦୁଇ ଦଶକରେ ମଧ୍ୟ ସେହି ପ୍ରବାହ ଜାରୀ ରହିଛି । କିନ୍ତୁ ମହାମରୀ-ପୂର୍ବ ଓ ମହାମାରୀ-ପର ଅବସ୍ଥାରେ ଆୟୋଜିତ କେତେକ ଗବେଷଣାରୁ ଇନଭେଷ୍ଟଗେଟିଭ ଜର୍ଣ୍ଣାଲିଜମର ଲୋକାଦୃତି କ୍ରମଶଃ ମଳିନ ପଡ଼ିଯାଇଥିବା ତଥ୍ୟ ମିଳିଛି । ମୋଟାମୋଟି ଭାବେ ଜାତୀୟ ଓ ଆନ୍ତର୍ଜାତିକସ୍ତରର ବଡ଼ ସମ୍ୱାଦ ‘ବିଗ ନିଉଜ’ ବଦଳରେ ଉପଭୋକ୍ତାମାନେ ଜନଜୀବନକୁ ପ୍ରଭାବିତ କରୁଥିବା ସ୍ଥାନୀୟ ସମ୍ୱାଦ ପ୍ରତି ଅନୁଗତ୍ୟ ପ୍ରକାଶ କରୁଛନ୍ତି । ନକାରାତ୍ମକ ସମ୍ୱାଦ ମାନସିକସ୍ତରରେ ଆଘାତ ପହୁଞ୍ଚାଉଥିବା ତଥା ସମ୍ୱାଦ ଚର୍ଚ୍ଚାରେ ପରିଚ଼ିତ ବର୍ଗରେ ଅଯଥା ଯୁକ୍ତିତର୍କରେ ଅଂଶଗ୍ରହଣକୁ ଏଡ଼ାଇବା ନିମନ୍ତେ ସମ୍ୱାଦ-ବିମୁଖ ମନୋଭାବ ପୋଷଣ କରୁଛନ୍ତି ।

 

ସମାଧାନ ସାମ୍ୱାଦିକତା ତୃଟି-ବିଚ୍ୟୁତି ବର୍ଣ୍ଣନାରେ ସୀମିତ ନରହି କେଉଁ କାରଣରୁ ସମସ୍ୟା ସମାଧାନ ହୋଇପାରୁନାହିଁ ଓ କେଉଁ ପନ୍ଥା ଅନୁସରଣ ଦ୍ୱାରା ସମାଧାନ ସମ୍ଭବପର ସେ ଦିଗରେ ଗୁରୁତ୍ୱ ପ୍ରଦାନ କରିଥାଏ । ମୌଳିକଭାବେ ସମାଧାନ ସାମ୍ୱାଦିକତାର ଚାରିଗୋଟି ଦିଗ ମଧ୍ୟରେ ପ୍ରଥମତଃ, ସାମାଜିକ ସମସ୍ୟା ସମାଧାନ ଦିଗରେ ଉଦ୍ୟମର ବିସ୍ତୃତ ବିବରଣୀ ଉପସ୍ଥାପନ, ଦ୍ୱିତୀୟତଃ ସେଦିଗରେ ବିଭିନ୍ନ ତୃଟି-ବିଚ୍ୟୁତି କାରଣ ନିର୍ଦ୍ଧାରଣ, ତୃତୀୟତଃ ସମାଧାନ କ୍ଷେତ୍ରରେ ସଫଳତାର ଉଦାହରଣ ବର୍ଣ୍ଣନା ଓ ଚ଼ତୁର୍ଥତଃ ସମସ୍ୟା ସମାଧାନ ଦିଗରେ ବିଫଳତା କିମ୍ୱା ସଫଳତାର ପ୍ରାମାଣିକ ତଥ୍ୟ ସଂଗ୍ରହକୁ ଗୁରୁତ୍ୱ ଦିଆଯାଇଥାଏ ।

 

ପାରମ୍ପରିକଭାବେ ସାମ୍ୱାଦିକତାରେ ସମସ୍ୟା ଓ ସମସ୍ୟା ସମାଧାନରେ ବିଫଳତା ବର୍ଣ୍ଣନା ପ୍ରାଧାନ୍ୟ ଲାଭ କରୁଥିବା ସ୍ଥଳେ ସମାଧାନ ସାମ୍ୱାଦିକତାରେ ବିଫଳତାର କାରଣ ଓ ଅନ୍ୟତ୍ର ସଫଳତାର ସୂତ୍ରାବଳୀ ଉପସ୍ଥାପିତ ହୋଇଥାଏ । ‘ଦି ନ୍ୟୂୟର୍କ ଟାଇମ୍ସ’ରେ ଟିନା ରୋଜନବର୍ଗ ଓ ଡ଼େଭିଡ଼ ବର୍ଣ୍ଣଷ୍ଟେନ ନାମକ ଦୁଇ ଜଣ ସାମ୍ୱାଦିକ ଦୀର୍ଘକାଳ ଧରି ‘ଫିକ୍ସେସ’ ନାମକ ଏକ ସାପ୍ତାହିକ ସ୍ତମ୍ଭ ରଚନା କରୁଥିଲେ । ବିଭିନ୍ନ ସାମାଜିକ ସମସ୍ୟାର ସୂତ୍ର ନିର୍ଦ୍ଧାରଣରେ ସମୃଦ୍ଧ ସ୍ତମ୍ଭଟି ଲୋକପ୍ରିୟତା ହାସଲ କରିଥିଲା । ‘ଫିକ୍ସେସ’ର ଅନୁଭୂତି ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଟିନା ଓ ଡ଼େଭିଡ଼ ୨୦୧୩ରେ ‘ସଲ୍ୟୁସନ୍ସ ଜର୍ଣ୍ଣାଲିଜମ ନେଟୱାର୍କ’ ନାମକ ସଂଗଠନ ଆରମ୍ଭ କରିଥିଲେ ।

 

‘ସଲ୍ୟୁସନ୍ସ ଜର୍ଣ୍ଣାଲିଜମ ନେଟୱାର୍କ’ ସାମ୍ୱାଦିକତାରେ ଉତ୍କର୍ଷ ବିକାଶ ଉଦ୍ଦେଶ୍ୟରେ ଗବେଷଣା ଓ ତାଲିମ ଦିଗରେ ସମର୍ପିତ । ପ୍ରଥମ ଦଶ ବର୍ଷ ମଧ୍ୟରେ ସମାଧାନ ସାମ୍ୱାଦିକତାର ବିଭବ ୩୦ ହଜାର ସାମ୍ୱାଦିକଙ୍କୁ ତାଲିମ ମାଧ୍ୟମରେ ପରିଚ଼ିତ କରାଯାଇଛି । ଏହାର ୱେବସାଇଟରେ ୨୦୨୩ ସୁଦ୍ଧା ୧୯୦ ଗୋଟି ରାଷ୍ଟ୍ରରୁ ସଂଗୃହୀତ ପ୍ରାୟ ୧୫ ହଜାର ସମାଧାନ ସମ୍ୱାଦର ଉଦାହରଣ ‘ସଲ୍ୟୁସନ୍ସ ଷ୍ଟୋରି ଟ୍ରେକର’ ସ୍ତମ୍ଭରେ ସ୍ଥାନିତ ହୋଇଛି । ସମାଧାନ ସାମ୍ୱାଦିକତା ଅଭ୍ୟାସ ଲାଗି ସାମ୍ୱାଦିକଙ୍କୁ ଏହା ପଥ ପ୍ରଦର୍ଶନ କରେ ।

 

ଟିନା ରୋଜନବର୍ଗ ‘ଭଏସ ଅଫ ଆମେରିକା’ ସହ ୨୦୨୨ରେ ସାକ୍ଷାତକାରରେ ଉଲ୍ଲେଖ କରିଥିଲେ ଯେ ଆଧୁନିକ ସାମ୍ୱାଦିକତା ପ୍ରଚଳନ କାଳରୁ ସାମାଜିକ ସମସ୍ୟାବଳୀର ସମାଧାନ ନିମନ୍ତେ ସାମ୍ୱାଦିକମାନେ ଉଦ୍ୟମ ଜାରି ରଖି ଆସିଛନ୍ତି । ତେବେ ଏହାକୁ ସାମ୍ୱାଦିକତାର ଏକ ସ୍ୱତନ୍ତ୍ର ଦିଗ ରୂପେ ଚ଼ିହ୍ନଟ କରାଯାଇପାରିନଥିଲା । ସମାଧାନ ସାମ୍ୱାଦିକତାର ସ୍ୱତନ୍ତ୍ରତା ଉପଲବ୍ଧିରେ ଏହାର ଉପଯୋଗ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ କରିପାରିଛି । ଅପରପକ୍ଷେ ସାମ୍ୱାଦିକତାରେ ପାରମ୍ପରିକ ଦୃଷ୍ଟିଭଙ୍ଗୀ ସାଧାରଣରେ ପରୀକ୍ଷା ନିରୀକ୍ଷାକୁ ପ୍ରଶୟ ଦିଏ ନାହିଁ । ତେବେ ଡ଼ିଜିଟାଲ ମଞ୍ଚର ପ୍ରସାର ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ପ୍ରଚଳିତ ସାମ୍ୱାଦିକତା ପରିବେଶରେ ବିଘଟନ ଏବଂ ମହାମାରୀ-ପର ଅବସ୍ଥାରେ ସମଗ୍ର ବିଶ୍ୱରେ ଦେଖା ଦେଇଥିବା ସମ୍ୱାଦ ବିମୁଖ ପରିବେଶର ମୁକାବିଲା ନିମନ୍ତେ ସମ୍ୱାଦ ମଞ୍ଚଗୁଡ଼ିକ ସମ୍ୱାଦ ପରିବେଷଣରେ ନୂତନ ଫର୍ଦ୍ଦ ଖୋଜୁଥିବା ହେତୁ ସମାଧାନ ସାମ୍ୱାଦିକତା ଏକ ବିକଳ୍ପ ପଥ ନିର୍ଦ୍ଧାରଣ କରିଛି ।

 

ଡ଼େଭିଡ଼ ବର୍ଣ୍ଣଷ୍ଟେନ ସମାଧାନ ସାମ୍ୱାଦିକତା ପ୍ରସାର ଦିଗରେ ଆଶାବାଦୀ । ‘ନେଇମାନ ଲାବ’ ସହ ୨୦୧୫ରେ ସାକ୍ଷାତକାରରେ କହିଥିଲେ ଯେ ଅନଲାଇନ ସମ୍ୱାଦ ମାଧ୍ୟମରେ ଅସତ୍ୟ ସମ୍ୱାଦ ପ୍ରସାରଣରେ ଅତିଷ୍ଠ ହୋଇ ସମ୍ୱାଦ ଉପଭୋକ୍ତା କ୍ରମଶଃ ମୂଳସ୍ରୋତର ମଞ୍ଚଗୁଡ଼ିକ ପ୍ରତି ବିମୁଖ ମନୋଭାବ ପୋଷଣ କରୁଛନ୍ତି । ପରିବର୍ତ୍ତିତ ପରିବେଶରେ ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ ଦିଗରେ ଲକ୍ଷ୍ୟବଦ୍ଧ ଅନୁଷ୍ଠାନଗୁଡ଼ିକର ସଂଖ୍ୟା ବଢ଼ି ଚାଲିଛି । ଏତଦବ୍ୟତୀତ କେତେକ ସାମ୍ୱାଦିକ ସାମାଜିକ ସମସ୍ୟାବଳୀ ଅନୁଧ୍ୟାନ ଓ ନିରାକରଣ ନିମନ୍ତେ ଅଗ୍ରାଧିକାର ଦେଉଛନ୍ତି । ଏହି ସବୁ କାରଣ ସମାଧାନ ସାମ୍ୱାଦିକତା ପ୍ରସାର ଦିଗରେ ଅନୁକୂଳ । ପରିବର୍ତ୍ତିତ ପରିବେଶରେ ସାମ୍ୱାଦିକତା ବିଭିନ୍ନ ସାମାଜିକ ସମସ୍ୟା କ୍ଷେତ୍ରରେ ପ୍ରହରୀ ‘ୱାଚ଼ ଡଗ’ ଭୂମିକାରେ ଆବଦ୍ଧ ନରହି ସମାଧାନ ‘ସଲ୍ୟୁସନ୍ସ’ ଦିଗରେ ଅଂଶଗ୍ରହଣ ନିମନ୍ତେ ଆଗଭର ହେଉଛନ୍ତି ।

 

ବିଶ୍ୱର ବହୁ ବିକାଶଶୀଳ ଅର୍ଥନୀତିରେ ମହାମାରୀ-ପର ‘ନ୍ୟୂ-ନରମାଲ’ରେ ଗଣମାଧ୍ୟମ ସରକାରୀ ପ୍ରୋତ୍ସାହନ ଲାଭ ଆଶାରେ ଶାସକ ରାଜନୀତିକ ଦଳର ସ୍ତାବକ ପାଲଟୁଥିବା ଅଭିଯୋଗ ହୁଏ । ଏହା ସାମ୍ୱାଦିକତାର ମୌଳିକ ଉଦ୍ଦେଶ୍ୟ ଚରିତାର୍ଥରେ ପ୍ରତିବନ୍ଧକ ସାଜିଥାଏ । ଅପରପକ୍ଷେ ଏହି ପରିବେଶ ତତକ୍ଷଣାତ ବଦଳାଇବା ସଂଭବପର ମନେହୁଏନା । ନକାରାତ୍ମକ ସମ୍ୱାଦ ବଦଳରେ ସକାରାତ୍ମକ ସମ୍ୱାଦ ପରିବେଷଣ ବାଧ୍ୟବାଧକତାରେ ସାମ୍ୱାଦିକତା ନିଜର ସାମାଜିକ ଅଙ୍ଗୀକାର କାର୍ଯ୍ୟକାରୀ ନିମନ୍ତେ ସମାଧାନ ସାମ୍ୱାଦିକତା ପଦ୍ଧତି ଗ୍ରହଣ କରିପାରିବ ।

 

ଶାସନରେ ତୃଟିବିଚ୍ୟୁତିକୁ ସମାଲୋଚ଼ନା ବଦଳରେ କେତେକ କ୍ଷେତ୍ରରେ ଏହି ଭଳି ସମସ୍ୟାକୁ କିପରି ଅନ୍ୟତ୍ର ସମାଧାନ କରାଯାଇପାରୁଛି ତାହାର ପୁଙ୍ଖନାପୁଙ୍ଖ ବିବରଣୀ ପ୍ରକାଶ ସକାରାତ୍ମକ ସାମ୍ୱାଦିକତା ପର୍ଯ୍ୟାୟଭୁକ୍ତ ହୋଇ ସରକାରୀ ରୋଷରୁ ବର୍ତ୍ତିଯିବା ସ୍ଥଳେ ସମସ୍ୟାର ସମାଧାନଲାଗି ସର୍ବସାଧାରଣରେ ମନୋବୃତ୍ତି ଗଢ଼ି ତୋଳିବାରେ ସହାୟକ ହୋଇପାରିବ । ବିକାଶ ସାମ୍ୱାଦିକତା ‘ଡ଼େଭଲପମେଣ୍ଟ ଜର୍ଣ୍ଣାଲିଜମ’ ଯୋଜନାବଦ୍ଧ ପ୍ରଗତି ପ୍ରକଳ୍ପ ରୂପାୟନରେ ସହାୟକ ହୋଇଥାଏ । ସମାଧାନ ସାମ୍ୱାଦିକତା ଅଣ-ଯୋଜନାବଦ୍ଧ ତଥା ବାସ୍ତବ କ୍ଷେତ୍ରରେ ସମସ୍ୟାଗୁଡ଼ିକର ସମାଧାନରେ ସହାୟକ ହେବା ଆଶା କରାଯାଇପାରେ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅକ୍ଟୋବର ୨୦୨୩

 

ତଥ୍ୟ:

 

What is Solutions Journalism ? Medium. May 7, 2017

 

https://medium.com/@soljourno/what-is-solutions-journalism-c050147bb1eb

 

What is Solutions Journalism and why should you care ? International Journalists Network. June 14, 2022

 

https://ijnet.org/en/story/what-solutions-journalism-and-why-should-you-care

 

 

Solutions Journalism : Instead of Focusing on Problems. Focus on Fixes. VOA. March 24, 2023

 

https://www.voanews.com/a/solutions-journalism-instead-of-focusing-on-problems-focus-on-fixes-/7019393.html

 

Dyer, John. Is Solutions Journalism the Solution ? Nieman Reports. June 11, 2015

 

https://niemanreports.org/articles/is-solutions-journalism-the-solution/

ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା 

ସମ୍ୱାଦ ରଚନାରେ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । କୌଣସି ବିଷୟରେ ସମ୍ୱାଦ ରଚନା କାଳରେ ପୁଙ୍ଖାନୁପୁଙ୍ଖ ତଥ୍ୟ ଅବତାରଣା, ବିଶ୍ଳେଷଣ ଓ ସାବଲୀଳ ଉପସ୍ଥାପନକୁ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ‘ଏକ୍ସପ୍ଳାନାଟୋରୀ ଜର୍ଣ୍ଣାଲିଜମ’ ଅଭିହିତ । ଆନ୍ତର୍ଜାତିକସ୍ତରରେ ସାମ୍ୱାଦିକତାରେ ଉତ୍କର୍ଷ ଚ଼ିହ୍ନଟ କରି ପ୍ରଦତ୍ତ ‘ପୁଲିଜର’ ପୁରସ୍କାର ତାଲିକାରେ ୧୯୮୫ରୁ ୧୯୯୭ ମଧ୍ୟରେ ‘ଏକ୍ସପ୍ଳାନାଟୋରୀ ଜର୍ଣ୍ଣାଲିଜମ’ ବର୍ଗରେ ପୁରସ୍କାର ପ୍ରଦାନ ବ୍ୟବସ୍ଥା ଥିଲା । ୧୯୯୭ରୁ ତାହା ‘ଏକ୍ସପ୍ଳାନାଟୋରୀ ରିପୋର୍ଟିଂ’କୁ ପରିବର୍ତ୍ତିତ ହୋଇଛି । ୧୯୮୫ରେ ମାର୍କିନ ସମ୍ୱାଦପତ୍ର ‘ବାଲଟିମୋରେ ଇଭନିଂ ସନ’ ପ୍ରଥମ ଥର ନିମନ୍ତେ ପୁରସ୍କୃତ ହୋଇଥିବା ସ୍ଥଳେ ୨୦୨୩ର ଯୁଗ୍ମ ପୁରସ୍କାର ବିଜେତାଭାବେ ‘ପ୍ରୋ-ପାବ୍ଲିକା’ ଓ ‘ଦି ୱାଶିଂଟନ ପୋଷ୍ଟ’ ପୁରସ୍କୃତ ।

 

ପୁଲିଜର ପୁରସ୍କାର ସନନ୍ଦରେ ବର୍ଣ୍ଣନା ପ୍ରକାରେ ‘ଏକ୍ସପ୍ଲାନାଟୋରୀ ରିପୋର୍ଟିଂ’ରେ ଦକ୍ଷତା ବିଚାର କାଳରେ ଏକ ପ୍ରମୁଖ ‘ସିଗ୍ନିଫିକେଣ୍ଟ’ ଓ ଜଟିଳ ‘କମ୍ପ୍ଳେକ୍ସ’ ବିଷୟ ସମ୍ୱାଦ ଆକାରରେ ଉପସ୍ଥାପନାରେ ଚାତୁର୍ଯ୍ୟ ‘ମାଷ୍ଟରୀ’, ସରଳ ‘କ୍ଳିୟାର’, ସାବଲୀଳ ‘ଲୁସିଡ଼’ ଓ ସାମ୍ୱାଦିକତା ସାଧନ ‘ଟୁଲସ’ ବ୍ୟବହାରକୁ ଗୁରୁତ୍ୱ ଦିଆଯାଏ । ଅର୍ଥାତ, ସମ୍ୱାଦ ରଚନାରେ ଚାତୁର୍ଯ୍ୟ ସହ ଚ଼ିତ୍ର, ଚାର୍ଟ, ସାଇଡ଼ବାର ଇତ୍ୟାଦି ବ୍ୟବହାରରେ ସମ୍ୱାଦଟି କିପରି ପାଠକ, ଶ୍ରୋତା କିମ୍ୱା ଦର୍ଶକଙ୍କ ବୋଧଗମ୍ୟ ହୋଇପାରିବ ସେଦିଗରେ ଉଦ୍ୟମ ଅନ୍ତର୍ଭୁକ୍ତ । ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ସମ୍ୱାଦ ମଞ୍ଚର ଗୁଣବତ୍ତା ବିକାଶରେ ସହାୟକ ହୋଇଥାଏ ।

 

ସମ୍ୱାଦ କଥନ ଓ ରଚନା ଆରମ୍ଭ କାଳରୁ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତାର ପ୍ରଚଳନ ରହିଆସିଛି । ବିଭିନ୍ନ ପର୍ଯ୍ୟାୟରେ ଏହି ଧାରାର ଗୁରୁତ୍ୱ ଚର୍ଚ୍ଚା ଲାଗି ଅବସର ସୃଷ୍ଟି ହୋଇଥାଏ । ପାରମ୍ପରିକ ଭାବେ ମୁଦ୍ରିତ ଦୈନିକ ସମ୍ୱାଦପତ୍ର ତୁଳନାରେ ସାପ୍ତାହିକ, ପାକ୍ଷିକ ବା ମାସିକ ସମ୍ୱାଦ ପତ୍ରିକାରେ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତାର ଅଧିକ ଆଦର ଦେଖିବାକୁ ମିଳେ । ଡ଼ିଜିଟାଲ ମଞ୍ଚର ବିକାଶ ବ୍ୟାଖ୍ୟା ସାମ୍ୱାଦିକତା ଲାଗି ଅନୁକୂଳ ପରିବେଶ ଗଢ଼ି ତୋଳିଥିଲା ।

 

ଗଣମାଧ୍ୟମ ବିଶ୍ଳେଷକଙ୍କ ମତରେ ପ୍ରଥମତଃ, ଅନଲାଇନ ସାମ୍ୱାଦିକତାରରେ ଅସତ୍ୟ ସମ୍ୱାଦ ପ୍ରସାର ଫଳରେ ପ୍ରତିଷ୍ଠିତ ସମ୍ୱାଦ ମଞ୍ଚଗୁଡ଼ିକ ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ସମ୍ୱାଦ ଯୋଗାଣରେ ଘଟଣାର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ପ୍ରତି ଗୁରୁତ୍ୱ ଦେଲେ । ମୁଖ୍ୟତଃ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଆରମ୍ଭରୁ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ପୁନଃପ୍ରସାର ଲାଭ କରିଥିଲା । ଦ୍ୱିତୀୟତଃ, ମହାମାରୀ-ପର ପରିବେଶରେ ସମ୍ୱାଦ ବିମୁଖ ଧାରା ସଂପ୍ରସାରଣରେ ସମ୍ୱାଦ ଉପଭୋକ୍ତାମାନେ ନିୟମିତ ବଦଳରେ ସାମୟିକ ସମ୍ୱାଦ ଆହରଣରେ ସମ୍ୱାଦର ପୂର୍ବା-ପର ତଥ୍ୟାବଳୀ ଖୋଜିବା ଆରମ୍ଭ କଲେ । ଫଳରେ ସମ୍ୱାଦମଞ୍ଚଗୁଡ଼ିକ ନିଜ ଗୁରୁତ୍ୱ ବଜାୟ ରଖିବା ନିମନ୍ତେ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ଆଶ୍ରିତ ହୋଇପଡ଼ିଲେ ।

 

ଊଦାହରଣରେ ‘ବ୍ଳୁମବର୍ଗ’ ପକ୍ଷରୁ ଅକ୍ଟୋବର ୨୦୧୩ରେ ବ୍ୟାଖ୍ୟା ସାମ୍ୱାଦିକତାର ସ୍ୱତନ୍ତ୍ର ବିଭାଗ ‘କୁଇକ ଟେକ’ ଓ ‘ଦି ନ୍ୟୂୟର୍କ ଟାଇମ୍ସ’ ପକ୍ଷରୁ ‘ଦି ଆପସୁଟ’ ପ୍ରକାଶନ ଉଲ୍ଲେଖନୀୟ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା । ଋଷ-ୟୁକ୍ରେନ ଯୁଦ୍ଧ ଫେବୃୟାରୀ ୨୦୨୨ରେ ଆରମ୍ଭ ହେବାପରେ ଜୁନ ୨୦୨୨ରେ ଏକ ଅନ୍ତଃରାଷ୍ଟ୍ରୀୟ ସାମ୍ୱାଦିକ ଗୋଷ୍ଠୀ ପକ୍ଷରୁ ‘ଡ୍ରନ ମିଡ଼ିଆ’ ନାମରେ ବ୍ୟାଖ୍ୟାଧର୍ମୀ ଡ଼ିଜିଟାଲ ସମ୍ୱାଦମଞ୍ଚ ପ୍ରତିଷ୍ଠିତ ହୋଇଥିଲା । ଯୁଦ୍ଧ ଅବସରରେ ଗୁଜବ ଓ ପ୍ରଚାରଧର୍ମୀ ସମ୍ୱାଦ ପ୍ରସାରଣ ପ୍ରତିରୋଧ ତଥା ଯୁଦ୍ଧଜନିତ ପରିସ୍ଥିତି ସଂପର୍କରେ ମୁଖ୍ୟତଃ ଯୁଦ୍ଧ ପ୍ରପୀଡ଼ିତ ଜନସାଧାରଣ କିପରି ବିସ୍ତୃତ ବିବରଣୀ ପାଇପାରିବେ ସେହି ଦିଗରେ ଯତ୍ନ ଦିଆଯାଇଥିଲା ।

 

ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତାରେ ସାଧାରଣତଃ ଉପଭୋକ୍ତା ଜାଣିନଥିବା ବା ଅଳ୍ପଜାଣିଥିବା ବିଷୟବସ୍ତୁ ନିର୍ବାଚନ କରାଯାଇଥାଏ । ଉଦାହରଣରେ ଜଳବାୟୁ ପରିବର୍ତ୍ତନ ଭଳି ଜଟିଳ, ଆର୍ଜେଣ୍ଟିନା ଭଳି ରାଷ୍ଟ୍ରରେ ନିର୍ବାଚନ କିମ୍ୱା କୃତ୍ରିମ ବୁଦ୍ଧିମତ୍ତା ଭଳି ଜାଣିନଥିବା ବିଷୟରେ ଘଟଣାବଳୀର ବିଶଦ ବିବରଣୀ ଆବଶ୍ୟକ ହୁଏ । ଅପରପକ୍ଷେ ଉପଭୋକ୍ତା ସଂପୂର୍ଣ୍ଣ ପରିଚିତଥିବା ବିଷୟାବଳୀରେ ମଧ୍ୟ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ଉପାଦେୟ । ସ୍ଥାନୀୟ ସାର୍ବଜନୀନ ଜଳଯୋଗାଣ, ପରିବହନ ବା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ବର୍ଣ୍ଣନା ଉପଭୋକ୍ତାଙ୍କ ଆଗ୍ରହ ଚ଼ରିତାର୍ଥ କରେ ।

 

ଚଳନ୍ତି ସମ୍ୱାଦଭିତ୍ତିକ ବ୍ୟାଖ୍ୟା ସୀମିତ ଅବଧି ଏବଂ ସମସ୍ୟାଭିତ୍ତିକ ବ୍ୟାଖ୍ୟା ସ୍ଥାୟୀ । ଯେଉଁ ଅନୁଶୀଳନଗୁଡ଼ିକ ଦୀର୍ଘ ସମୟ ଧରି ସମ୍ୱାଦମଞ୍ଚରେ ଆକର୍ଷଣ ଦାବୀ କରେ ସେଗୁଡ଼ିକୁ ସମୟନ୍ତେ ସଂଶୋଧନ କରିବାକୁ ପଡ଼ିଥାଏ । ବ୍ୟାଖ୍ୟା ରଚନାଗୁଡ଼ିକର ଶୀର୍ଷକ ପ୍ରସ୍ତୁତିରେ ସାବଧାନତା ଅବଲମ୍ୱନ ଆବଶ୍ୟକ । ପ୍ରସ୍ତୁତ ରଚନାର ସାରାଂଶ ଶୀର୍ଷକରେ ସ୍ଥାନିତ ହେଲେହେଁ କିପରି ଉପଭୋକ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ ସେ ଦିଗରେ ଗୁରୁତ୍ୱ ଦିଆଯାଏ । ଅନଲାଇନରେ ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେସନ ପାଇଁ ଦୃଷ୍ଟି ରଖିବାକୁ ପଡ଼େ ।

 

ମୁଦ୍ରିତ ସମ୍ୱାଦପତ୍ର ଓ ପତ୍ରପତ୍ରିକାରେ ବ୍ୟାଖ୍ୟାଭିତ୍ତିକ ରଚନା ‘ଏକ୍ସପ୍ଳେନର’ ଲୋକାଦୃତ । ଏହି ରଚନାରେ ଚାର୍ଟ, ଗ୍ରାଫ, ଫାକ୍ଟ ବକ୍ସ, ସାଇଡ଼ ବାର ଭଳି ଅଳଂକରଣ ସଂଲଗ୍ନ କରାଯାଇଥାଏ । ସମ୍ୱାଦ ମାଧ୍ୟମରେ ଘଟଣା ସଂପର୍କରେ ଅବଗତ ହେବା ବ୍ୟବସ୍ଥା ଥିବା ସ୍ଥଳେ ବ୍ୟାଖ୍ୟାଭିତ୍ତିକ ରଚନାରେ ଘଟଣାଟିକୁ ଗଭୀର ସ୍ତରରେ ବୁଝିବାଲାଗି ପରିବେଶ ସୃଷ୍ଟିଲାଗି ଉଦ୍ୟମ ହୋଇଥାଏ । ସ୍ଥଳବିଶେଷରେ ଗୋଟିଏ ରଚନା ବଦଳରେ ଧାରାବାହିକ ଭାବେ ବହୁ ରଚନା ‘ସିରିଜ’ ପ୍ରକାଶନର ବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳେ ।

 

ବ୍ୟାଖ୍ୟାଭିତ୍ତିକ ରଚନା ଏକ ସାମ୍ୱାଦିକତା ଶୈଳୀ ‘ଫର୍ମୂଲା’ । ସମକାଳରେ ମହାମାରୀ-ପର ପରିବର୍ତ୍ତିତ ପରିବେଶରେ ବିଭିନ୍ନ କାରଣରୁ ସମ୍ୱାଦ ମଞ୍ଚ ଦୁର୍ଦ୍ଦଶାଗ୍ରସ୍ତ । ଏକପକ୍ଷରେ ବିଜ୍ଞାପନ ଆୟ ସମୃଦ୍ଧ ପାରମ୍ପରିକ ବ୍ୟାବସାୟିକ ମଡ଼େଲ ଭୁଷୁଡ଼ି ପଡ଼ିଥିବା ସ୍ଥଳେ ଅପରପକ୍ଷରେ ସମ୍ୱାଦ ମଞ୍ଚ ଭିନ୍ନ ଅନ୍ୟାନ୍ୟ ସୂତ୍ରରୁ ସମ୍ୱାଦ ଆହରଣ ତଥା ସମ୍ୱାଦ ବିମୁଖ ପରିବେଶ କାଳ ସାଜିଛି । ସମ୍ୱାଦ ମଞ୍ଚଗୁଡ଼ିକ ପୁରାତନ ଉପଭୋକ୍ତାଙ୍କୁ ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ଘଟଣା ସଂପର୍କରେ ପୂର୍ଣ୍ଣ ଅବଗତ କରାଇ ବାନ୍ଧି ରଖିବା ତଥା ନୂତନ ଉପଭୋକ୍ତାଙ୍କୁ ଆକର୍ଷିତ କରିବାରେ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ବିଶେଷ ସହାୟକ ହୋଇପାରିବ ।

 

‘ନ୍ୟୂ-ନରମାଲ’ରେ ଷ୍ଟ୍ରିମିଂ ମଞ୍ଚ ୟୁଟ୍ୟୁବ ବହୁ ସମ୍ୱାଦ ଉପଭୋକ୍ତଙ୍କୁ ଆକର୍ଷିତ କରୁଛି । ଅନେକ କ୍ଷେତ୍ରରେ ସ୍ମାର୍ଟଫୋନ ଯୋଗେ ସମ୍ୱାଦ କିମ୍ୱା ଅଣ-ସମ୍ୱାଦ ମଞ୍ଚ ଯୋଗେ କୌଣସି ଦୃଷ୍ଟି ଆକର୍ଷଣକାରୀ ଘଟଣା ସଂପର୍କରେ ଅବଗତ ହେବାପରେ ସାଧାରଣ ଉପଭୋକ୍ତା ୟୁଟ୍ୟୁବରେ ବିସ୍ତୃତ ବିବରଣୀ ଖୋଜିବା ଧାରା ବଢୁଛି । ୟୁଟ୍ୟୁବରେ ବିଭିନ୍ନ ଉଲ୍ଲେଖଯୋଗ୍ୟ ବିଷୟ ସଂପର୍କରେ ବିଭିନ୍ନ ସୂତ୍ରରୁ ବିନା ପ୍ରତିବନ୍ଧକରେ ବ୍ୟାଖ୍ୟାମୂଳକ ଭିଡ଼ିଓ ଉପଲବ୍ଧ । ଦୈନନ୍ଦିନ ସମ୍ୱାଦ ବ୍ୟାଖ୍ୟା ନିମନ୍ତେ ଭାରତରେ ଜାତୀୟସ୍ତରରେ ୨୦୨୩ ଶେଷ ସୁଦ୍ଧା ଏକାଧିକ ୟୁଟ୍ୟୁବ ଚ୍ୟାନେଲ ଲୋକପ୍ରିୟତା ହାସଲ କରିଥିବା ପରିଦୃଷ୍ଟ । କ୍ରମଶଃ ଏହି ଧାରା ଆଞ୍ଚଳିକ ଓ ସ୍ଥାନୀୟ ସ୍ତରକୁ ପରିବ୍ୟାପ୍ତ ହେବା ଆଶା କରାଯାଇପାରେ । ବିକଶିତ ରାଷ୍ଟ୍ରଗୁଡ଼ିକରେ ପଡ଼କାଷ୍ଟ ପ୍ରବାହ ଆରମ୍ଭ ହୋଇଥିବା ସ୍ଥଳେ ଏଠାରେ ମଧ୍ୟ ପ୍ରତିଫଳିତ ହେବା ସମ୍ଭବ । ୟୁଟ୍ୟୁବ ଭିଡ଼ିଓ ଓ ପଡ଼କାଷ୍ଟ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତାକୁ ମୂଳ ପୁଞ୍ଜି କରି ଗଢ଼ି ଉଠିଥାଏ ।

 

ଆମ ରାଜ୍ୟରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତାକୁ ଗୁରୁତ୍ୱ ଦେବା ସମୟ ଉପନୀତ । ମୋବାଇଲ ଓ ଟେଲିଭିଜନରେ ସମ୍ୱାଦ ଅବଗତ ହେବାପରେ ସମ୍ୱାଦ ଉପଭୋକ୍ତା ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରେ ପହଞ୍ଚୁଥିବା ଅବସରରେ ଘଟଣା ପ୍ରବାହ ସଂପର୍କରେ ସୁବିସ୍ତୃତ ବିବରଣୀ ନପାଇପାରିଲେ ଅସନ୍ତୁଷ୍ଟ ହେବା ସ୍ୱାଭାବିକ । ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ଉପଯୋଗ କାଳରେ ସମ୍ୱାଦ ଓ ଅଭିମତ ମଧ୍ୟରେ ଦୃଶ୍ୟମାନ ଅନ୍ତର ରଖାଯିବା ବିଧେୟ । ବ୍ୟାଖ୍ୟାଭିତ୍ତିକ ସମ୍ୱାଦ ପରିବେଷଣରେ ପକ୍ଷପାତିତା ଅବଲମ୍ୱନ କଲେ ଦୀର୍ଘସୂତ୍ରରେ ପାଠକୀୟ ବିଶ୍ୱସନୀୟତା ହରାଇ ବସେ । ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ପ୍ରଚଳନ ନିମନ୍ତେ ସୃଜନ, ସମୟ ଓ ଆର୍ଥିକ ନିବେଶ ଆବଶ୍ୟକ ପଡ଼ିଥାଏ, ଏହା ସାମ୍ୱାଦିକତାର ଗୁଣବତ୍ତା ବିକାଶରେ ସହାୟକ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଡ଼ିସେମ୍ୱର ୨୦୨୩



ତଥ୍ୟ:

 

Lofgren, Emma. Explanatory journalism : What it is and how to do it. THE FIX. February 28, 2023

 

https://thefix.media/2023/2/28/explanatory-journalism-what-it-is-and-how-to-do-it

 

Mc Demott, John. Explaining what is behind the sudeen allure of explanatory journalism. DIGIDAY. March 17, 2014

 

https://digiday.com/media/explainer-rise-explanatory-journalism/



ରାଜନୀତିକ-ପକ୍ଷଭୁକ୍ତ ସାମ୍ୱାଦିକତା

ରାଜନୀତିକ ପକ୍ଷଭୁକ୍ତ ସାମ୍ୱାଦିକତା ଉପଭୋକ୍ତାଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ହୋଇ ନଥାଏ । ଯୁକ୍ତରାଷ୍ଟ୍ର ଆମେରିକାର ଖ୍ୟାତନାମା ଗବେଷଣାକେନ୍ଦ୍ରୀକ ବେସରକାରୀ ସଂଗଠନ ପିଉ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ୨୦୧୮ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱବ୍ୟାପୀତିନିଚ଼ତୁର୍ଥାଂଶ ଜନସାଧାରଣ ରାଜନୀତିକ ପକ୍ଷଭୁକ୍ତ ସାମ୍ୱାଦିକତାକୁ ବିରୋଧ କରିଥାନ୍ତି । ଆନ୍ତର୍ଜାତିକସ୍ତରରେ ୩୮ ଗୋଟି ରାଷ୍ଟ୍ରରେ ଆୟୋଜିତ ଏହାର ସର୍ବେକ୍ଷଣରେ ଭାରତ ମଧ୍ୟ ସାମିଲ ହୋଇଥିଲା ।


 

ସାମ୍ୱାଦିକତା କ୍ଷେତ୍ରରେ କୌଣସି ପ୍ରକାଶନ ବା ପ୍ରସାରଣ ଦ୍ୱାରା ନିର୍ଦ୍ଦିଷ୍ଟ ରାଜନୀତିକ ଦଳକୁ ସମର୍ଥନ ୟୁରୋପୀୟ ରାଷ୍ଟ୍ରପୁଞ୍ଜରେ ସର୍ବାଧିକ ବିରୋଧ କରାଯାଇଥାଏ । ଉଦାହରଣରେ ସ୍ପେନରେ ୮୯ ପ୍ରତିଶତ ଓ ଗ୍ରୀସରେ ୮୮ ପ୍ରତିଶତ ଲୋକ ପକ୍ଷପାତିତାକୁ ନାପସନ୍ଦ କରିଥାନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ୭୮ ପ୍ରତିଶତ ଉପଭୋକ୍ତା ରାଜନୀତିକ ପକ୍ଷଭୁକ୍ତ ସାଂବାଦିକତା ବିରୋଧୀ ।


 

ଆଲୋଚ୍ୟ ଅଧ୍ୟୟନରୁ ଜଣାଯାଇଛି ଯେ ଗଣମାଧ୍ୟମର ବିଭିନ୍ନ ମଞ୍ଚ, ଯଥା : ସଂବାଦପତ୍ର, ପତ୍ରପତ୍ରିକା, ରେଡ଼ିଓ, ଟେଲିଭିଜନ ଓ ଇଣ୍ଟରନେଟରେ ସାଧାରଣ ସଂବାଦ ପରିବେଷଣରେ ସଂଖ୍ୟାଧିକ ସନ୍ତୁଷ୍ଟ ଥିବାସ୍ଥଳେ ରାଜନୀତିକ ସାଂବାଦିକତାରେ ଅସନ୍ତୋଷ ପ୍ରକାଶ କରିଥାନ୍ତି । ସମସାମୟିକ ସାଂବାଦିକତାରେ ମୁଖ୍ୟ ପ୍ରସଙ୍ଗମାନ ଉପସ୍ଥାପନାରେ ୭୩ ପ୍ରତିଶତ, ବିଶ୍ୱାସନୀୟ ଢ଼ଙ୍ଗରେ ସଂବାଦ ପ୍ରସାରଣରେ ୬୨ ପ୍ରତିଶତ ତଥା ସରକାରୀ କାର୍ଯ୍ୟକଳାପ ସଂପର୍କିତ ସମ୍ୱାଦ ପରିବେଷଣରେ ୫୯ ପ୍ରତିଶତ ପାଠକ ଓ ଦର୍ଶକ ସନ୍ତୁଷ୍ଟ ।


 

ଅପରପକ୍ଷେ ସର୍ବେକ୍ଷଣ କରାଯାଇଥିବା ୨୦ ଗୋଟି ରାଷ୍ଟ୍ରର ସଂଖ୍ୟାଧିକ ଜନସାଧାରଣ ସେଠାକାର ରାଜନୀତିକ ସାମ୍ୱାଦିକତାରେ ଅସନ୍ତୋଷ ପ୍ରକାଶ କରିଥିବା ସ୍ଥଳେ ୧୮ ଗୋଟି ରାଷ୍ଟ୍ରରେ ସଂଖ୍ୟାଧିକ ଜନସାଧାରଣ ସନ୍ତୋଷ ପ୍ରକାଶ କରିଥିଲେ । ଏସିଆ ଓ ଆଫ୍ରିକା ମହାଦେଶର ରାଷ୍ଟ୍ରଗୁଡ଼ିକର ନାଗରିକମାନେ ସ୍ଥାନୀୟ ସାମ୍ୱାଦିକତା ପ୍ରତି ସକାରତ୍ମକ ମନୋଭାବ ତଥା ଲାଟିନ ଆମେରିକୀୟ ଦେଶପୁଞ୍ଜର ନାଗରିକ ଅପେକ୍ଷାକୃତଭାବେ ନକାରତ୍ମକ ମନୋଭାବ ପରିବେଷଣ କରୁଥିବା ଜଣାଯାଇଥିଲା ।


 

ରିପୋର୍ଟରେ ବିଶ୍ୱ ସାମ୍ୱାଦିକତା ସଂପର୍କରେ ଆହୁରି ଦୁଇଗୋଟି ଗୁରତ୍ୱପୂର୍ଣ୍ଣ ଘଟଣାକ୍ରମ ସଂପର୍କରେ ଅବତରଣା କରାଯାଇଛି । ଗଣମାଧ୍ୟମ ଉପଭୋକ୍ତାମାନେ ସଂବାଦ ପ୍ରତି ଆଗ୍ରାହାନ୍ୱିତ ହେଉଥିବା ସ୍ଥଳେ ସ୍ଥାନୀୟ ଓ ଜାତୀୟ ସଂବାଦକୁ ଅଗ୍ରାଧିକାର ଦେଇଥାନ୍ତି । ଆନ୍ତର୍ଜାତିକସ୍ତରରେ ୮୬ ପ୍ରତିଶତ ସ୍ଥାନୀୟ ସଂବାଦ ଓ ୭୮ ପ୍ରତିଶତ ଜାତୀୟ ସଂବାଦକୁ ଗୁରୁତ୍ୱ ଦେବାବେଳେ ମାତ୍ର ୫୭ ପ୍ରତିଶତ ବୈଦେଶିକ ସଂବାଦ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି ।


 

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅନଲାଇନ ସାଂବାଦିକତା କ୍ରମଶଃ ଲୋକପ୍ରିୟତା ହାସଲ କରୁଥିବା ଜଣାଯାଏ । ସର୍ବେକ୍ଷଣରେ ସାମିଲ ହୋଇଥିବା ଜନସାଧାରଣଙ୍କ ମଧ୍ୟରୁ ୪୨ ପ୍ରତିଶତ ଦୈନିକ ଅନ୍ତତଃପକ୍ଷେ ଥରେ ଇଣ୍ଟରନେଟ ଉପଯୋଗରେ ସଂବାଦ ସଂଗ୍ରହ କରୁଥିବା କହିଥିଲେ ।ଯୁବବର୍ଗ ଅନଲାଇନ ସାଂବାଦିକତାର ମୁଖ୍ୟ ପୃଷ୍ଠପୋଷକ ।


 

ଓଡ଼ିଆ ସାମ୍ୱାଦିକତାର ପୃଷ୍ଠଭୂମିରେ ପିଉ ରିସାର୍ଚ୍ଚ ସେଣ୍ଟର ପକ୍ଷରୁ ୨୦୧୮ରେ ପ୍ରକାଶିତ ରିପୋର୍ଟ ତର୍ଜମାକଲେ ଆନ୍ତର୍ଜାତିକ ପ୍ରବାହରେ ସ୍ଥାନୀୟ ସାମ୍ୱାଦିକତା ଗତିବିଧିରେ କେତେଗୋଟି ସମ୍ଭାବ୍ୟ ପ୍ରଭାବ ମନକୁ ଆସିଥାଏ ।


 

ପ୍ରଥମତଃ ବିଶ୍ୱବ୍ୟାପୀ ରାଜନୀତିକ ପକ୍ଷଭୁକ୍ତ ସାଂବାଦିକତାକୁ ବିରୋଧ କରାଯାଉଥିବା ସ୍ଥଳେ ଓଡ଼ିଆ ପାଠକ ଓ ଦର୍ଶକଙ୍କ ମଧ୍ୟରେ ସମମନୋଭାବ ଆଶା କରାଯାଇପାରେ । ତେବେ ଆମ ରାଜ୍ୟରେ ପାରମ୍ପରିକଭାବେ ରାଜନୀତିକ ମତଧାରା ପ୍ରସାର ଓ ବ୍ୟକ୍ତି ସର୍ବସ୍ୱ ପ୍ରଚ଼ାର ନିମନ୍ତେ ମୂଳ ସ୍ରୋତର ଗଣମାଧ୍ୟମକୁ ଉପଯୋଗ କରାଯାଇ ଆସିଛି । ଏହି ବ୍ୟବସ୍ଥାର ପରିବର୍ତ୍ତନ ଲାଗି ସ୍ୱାଧୀନ ସାଂବାଦିକତା ଆବଶ୍ୟକ । କିନ୍ତୁ ସଂଖ୍ୟା ଦୃଷ୍ଟିରୁ କମ ଓଡ଼ିଆ ଭାଷାଭାଷୀଙ୍କ ନିମନ୍ତେ ଉନ୍ନତମାନର ସଂବାଦପତ୍ର ପ୍ରକାଶନ ଓ ଟେଲିଭିଜନ ଚ଼୍ୟାନେଲ ପ୍ରସାରଣ ବ୍ୟବସାୟିକ ଦୃଷ୍ଟିରୁ ଲାଭଜନକ ହେବା ସମ୍ଭବପର ନଥିବା ସ୍ଥଳେ ସ୍ଥାନୀୟ ସଂବାଦଶିଳ୍ପ  ପରାଙ୍ଗପୁଷ୍ଟ ହେବା ଏକ ରକମ ବାଧ୍ୟବାଧକତାରେ ପରିଣତ ହୋଇଥାଏ । ଗ୍ରାହକଚ଼ାନ୍ଦା ପରିପୁଷ୍ଟ ପ୍ରକାଶନ ଓ ପ୍ରସାରଣ ଏହାର ବିକଳ୍ପ ହେଲେହେଁ ଏଭଳି ବ୍ୟବସାୟିକ ମଡ଼େଲର କାର୍ଯ୍ୟକାରିତା ନେଇ ସନ୍ଦେହ ଉପୁଜିଥାଏ ।


 

ଦ୍ୱିତୀୟତଃ ଇଣ୍ଟରନେଟଭିତ୍ତିକ ଅନଲାଇନ ସାମ୍ୱାଦିକତା ଅପେକ୍ଷାକୃତ କମ ନିବେଶ ଆବଶ୍ୟକତା କରୁଥିବା ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲୋକପ୍ରିୟ ହୋଇପାରୁଥିବା ବେଳେ ଓଡ଼ିଆ ସାମ୍ୱାଦିକତାରେ ଉଭୟ ସମ୍ୱାଦପତ୍ର, ରେଡ଼ିଓ ଓ ଟେଲିଭିଜନ ପାଇଁ ସ୍ୱାଧୀନ ମଞ୍ଚ ପ୍ରସ୍ତୁତ କରିବାରେ କିପରି ସହାୟକ ହୋଇପାରିବ ତାହାର ସଫଳ ବ୍ୟବସାୟିକ ମଡ଼େଲ ପ୍ରସ୍ତୁତ ହୋଇପାରୁ ନାହିଁ ।ଓଡ଼ିଆ ଅନଲାଇନ ପୋର୍ଟାଲଗୁଡ଼ିକ ସରକାରୀ ବିଜ୍ଞାପନ ନିର୍ଭରଶୀଳ ହୋଇପଡୁଥିବା କାରଣରୁ ମୂଳରୁ ହିଁ ଏକ ଅସୁସ୍ଥ ପରିବେଶ ସୃଷ୍ଟି ହେବାରେ ଲାଗିଛି ।


 

ତୃତୀୟତଃ ଜାତୀୟସ୍ତରର ଗଣମାଧ୍ୟମ ସଂସ୍ଥାଗୁଡ଼ିକର ଓଡ଼ିଆ ଗଣମାଧ୍ୟମରେ ପ୍ରବେଶ କିଭଳି ସମୀକରଣ ସୃଷ୍ଟି କରିବ ତାହା ଏକ ପ୍ରଶ୍ନବାଚ଼ୀ । ଟେଲିଭିଜନ ପ୍ରସାରଣକ୍ଷେତ୍ରରେ ଜାତୀୟସ୍ତରର ଚ଼୍ୟାନେଲମାନେ ଓଡ଼ିଆ ସାମ୍ୱାଦିକତାରେ ପହଞ୍ଚିସାରିଥିବାସ୍ଥଳେ ସମ୍ୱାଦପତ୍ର ପ୍ରକାଶନରେ ସଂପୃକ୍ତ ହେଲେ ସ୍ଥାନୀୟ ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଶା କରାଯାଇପାରେ । ତା’ପରକୁ ବୈଦେଶିକ ପୁଞ୍ଜିଲଗାଣ ସଂପୂର୍ଣ୍ଣ ଭିନ୍ନ ପରିବେଶ ସୃଷ୍ଟି କରିପାରେ ।


 

ବିଶ୍ୱବ୍ୟାପୀ ରାଜନୀତିକ ଘଟଣାକ୍ରମ ପ୍ରସାର ଓ ଚର୍ଚ୍ଚାରେ ସାମ୍ୱାଦିକତା ଗୁରୁତ୍ୱ ବହନ କରୁଥିବାସ୍ଥଳେ ଏହି କ୍ଷେତ୍ରରେ ପକ୍ଷପାତିତା ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ବିପଦ ସୃଷ୍ଟି କରିଥାଏ । ତେବେ ପକ୍ଷପାତିତାର ପ୍ରତିରୋଧ ପାଠକ ଓ ଦର୍ଶକମାନଙ୍କ ଦ୍ୱାରା ହିଁ ସମ୍ଭବପର । ଗଣମାଧ୍ୟମ ସଂପର୍କରେ ସଚ଼େତନତା ସ୍ୱାଧୀନ ସାମ୍ୱାଦିକତା ପରିପ୍ରକାଶରେ ସହାୟକ ହୋଇଥାଏ । ତେଣୁ ରାଜନୀତିକ ପକ୍ଷଭୁକ୍ତ ସାମ୍ୱାଦିକତାକୁ ରୋକିବାକୁ ହେଲେ ସର୍ବସାଧାରଣରେ ଗଣମାଧ୍ୟମ ସାକ୍ଷରତାର ବହୁଳ ପ୍ରଚ଼ାର ଓ ପ୍ରସାର ଆବଶ୍ୟକ । ଏଭଳି ଯୋଜନା କାର୍ଯ୍ୟକାରୀ କରିବା ସରକାରୀସ୍ତରରେ ସଂଭବପର ନହେଲେ ହେଁ ନୀତିନିୟମ ପ୍ରଣୟନ ଓ ପ୍ରୋତ୍ସାହନ ଗଣତନ୍ତ୍ରର ସୁରକ୍ଷା ଦିଗରେ ସହାୟକ ହୋଇପାରିବ । ଅବଶ୍ୟ ସ୍ୱାଧୀନ ସାଂବାଦିକତା ବିକାଶରେ ବେସରକାରୀ ନାଗରିକ ସମାଜଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୯ ଜାନୁୟାରୀ ୨୦୧୮


ଦୁର୍ନୀତି ଓ ସାମ୍ୱାଦିକତା

ଯେଉଁ ରାଷ୍ଟ୍ରଗୁଡ଼ିକରେ ଦୁର୍ନୀତିର ପ୍ରାଦୁର୍ଭାବ ଅଧିକ ସେଠାରେ ଅପେକ୍ଷାକୃତଭାବେ ସରକାରୀ ଓ ବ୍ୟବସାୟିକସ୍ତରରେ ମୁକ୍ତ ସାମ୍ୱାଦିକତାର ବିରୁଦ୍ଧାଚ଼ରଣ କରାଯାଇଥାଏ । ଆନ୍ତର୍ଜାତିକ ଦୁର୍ନୀତି ବିରୋଧି ସଂଗଠନ ‘ଟ୍ରାନ୍ସପରନସି ଇଣ୍ଟରନ୍ୟାସନାଲ’ପକ୍ଷରୁ ଫେବୃୟାରୀ ୨୦୧୮ରେ ପ୍ରକାଶିତ‘କରପସନ ପେରସେପସନ୍ସ ଇଣ୍ଡେକ୍ସ ୨୦୧୭’ରେ ଦୁର୍ନୀତି ସହିତ ବିଭିନ୍ନ ପ୍ରାନ୍ତରେ ସ୍ଥାନୀୟ ସାମ୍ୱାଦିକତା ଓ ନାଗରିକ ସମାଜ ଆଦୃତି ସଂପର୍କରେ ତୁଳନାତ୍ମକ ବିବରଣୀ ଉପସ୍ଥାପିତ କରାଯାଇଛି । ବିଶ୍ୱର ସର୍ବାଧିକ ଦୁର୍ନୀତିପ୍ରବଣ ରାଷ୍ଟ୍ରଗୁଡ଼ିକରେ ପ୍ରତିସପ୍ତାହରେ ଅନ୍ତତଃପକ୍ଷେ ଜଣେ ସାମ୍ୱାଦିକ ହତ୍ୟାର ଶୀକାର ହେଉଛନ୍ତି । ଶତାଧିକ ରାଷ୍ଟ୍ରର ରାଜନୀତିକ ସ୍ଥିତାବସ୍ଥା ଅଧ୍ୟୟନରୁ ଜଣାଯାଇଛି ଯେ ସାମ୍ୱାଦିକ ଓ ନାଗରିକ ସଂଗଠନଗୁଡ଼ିକର କର୍ମକର୍ତ୍ତାମାନେ ସ୍ଥାନୀୟ ଦୁର୍ନୀତି ବିରୋଧରେ ଫଳପ୍ରଦ ଭୂମିକା ନିର୍ବାହ କରୁଛନ୍ତି ।


 

ଆନ୍ତର୍ଜାତିକସ୍ତରରେ ବିଭିନ୍ନ ରାଷ୍ଟ୍ରରେ ଦୁର୍ନୀତିରସ୍ତର ସମୀକ୍ଷା ନିମନ୍ତେ ‘ଟ୍ରାନ୍ସପରନସି ଇଣ୍ଟରନ୍ୟାସନାଲ’ ଆନୁକୂଲ୍ୟରେ ଆୟୋଜିତ ସର୍ବେକ୍ଷଣରେ ୧୮୦ ଗୋଟି ରାଷ୍ଟ୍ର ଅନ୍ତର୍ଭୁକ୍ତ ହୋଇଥିଲେ । ସେଥିମଧ୍ୟରେ ଭାରତର ସ୍ଥାନ ୮୧ ସୋପାନରେ ନିର୍ଦ୍ଧାରିତ ହୋଇଛି ।


 

ଦୁର୍ନୀତି ପରିମାପ ନିମନ୍ତେ ମୁଖ୍ୟତଃ ବିଭିନ୍ନ ରାଷ୍ଟ୍ରରେ ବ୍ୟବସାୟରେ ସଂପୃକ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ମତାମତ ଲୋଡ଼ା ଯାଇଥିଲା । ଶୂନ୍ୟଠାରୁ ଶତକ ସ୍କେଲରେ ଶୂନ୍ୟ କ୍ରମାଙ୍କ ଦୁର୍ନୀତି ପୂର୍ଣ୍ଣତାକୁ ସୂଚ଼ିତ କରୁଥିବା ବେଳେ ଶତକ କ୍ରମାଙ୍କ ଦୁର୍ନୀତି ମୁକ୍ତ ସ୍ୱଚ୍ଛତାକୁ ବୁଝାଉଥିଲା । ଗବେଷଣାଲବ୍ଧ ତଥ୍ୟ ବିଶ୍ଳେଷଣରେ ନିଉଜିଲ୍ୟାଣ୍ଡ ୮୯ ସ୍କୋର ଓ ଡ଼େନମାର୍କ ୮୮ ସ୍କୋର ଦାବୀ କରିଥିଲେ । ଅର୍ଥାତ ଏହି ଦୁଇ ରାଷ୍ଟ୍ରରେ ସାଧାରଣ ପରିବେଶ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ । ସେହିପରି ସୋମାଲିଆ, ଦକ୍ଷିଣ ସୁଦାନ ଓ ସିରିଆ ସର୍ବାପେକ୍ଷା ଦୁର୍ନୀତିପରାୟଣ ସାବ୍ୟସ୍ତ ହୋଇଥିଲା । ସୋମାଲିଆ ୯, ଦକ୍ଷିଣ ସୁଦାନ ୧୨ ଓ ସିରିଆ ୧୪ ସ୍କୋର କରିଥିଲେ ।


 

ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ୧୮୦ ଗୋଟି ରାଷ୍ଟ୍ର ମଧ୍ୟରୁ ଦୁଇ ତୃତୀୟାଂଶ ରାଷ୍ଟ୍ରଙ୍କ ସ୍କୋର ୫୦ ଠାରୁ ନିମ୍ନରେ ଗଣିତ ହୋଇଥିବା ସ୍ଥଳେ ହାରାହାରି ସ୍କୋର ୪୩ ନିର୍ଦ୍ଧାରିତ ହୋଇଥିଲା । ଅର୍ଥାତ ବିଶ୍ୱବ୍ୟାପୀ ଦୁର୍ନୀତିର ବଳୟ ସୁବିସ୍ତୃତ । ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକରେ ମୁକ୍ତ ସାମ୍ୱାଦିକତା ବିରୋଧୀ ।


 

ଏସିଆ ମହାଦେଶରେ ଭାରତ ସାଙ୍ଗକୁ ଫିଲିପାଇନ୍ସ ଓ ମାଲଡ଼େଭିସରେ ସାଧାରଣ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ଲକ୍ଷ୍ୟ କରାଯାଇଥାଏ । ଏହି ରାଷ୍ଟ୍ରଗୁଡ଼ିକରେ ଗଣମାଧ୍ୟମର କଣ୍ଠରୋଧ ଓ ସାମ୍ୱାଦିକମାନଙ୍କୁ ହତ୍ୟା କରାଯାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।୨୦୧୨ ରୁ ୨୦୧୭ ଛଅବର୍ଷ ମଧ୍ୟରେ ଏଠାରେ ୧୫ ଜଣ କାର୍ଯ୍ୟରତ ସାମ୍ୱାଦିକ ଦୁର୍ନୀତିର ପର୍ଦ୍ଦାଫାଶ କରୁଥିବା ଅବସରରେ ହତ୍ୟାର ଶିକାର ହୋଇଛନ୍ତି ।


 

ପ୍ରକାଶିତ ଅନୁଧ୍ୟାନରୁ ଜଣାଯାଇଛି ଯେ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକରେ ସାମ୍ୱାଦିକମାନଙ୍କୁ ପ୍ରତିକୂଳ ପରିବେଶରେ କାର୍ଯ୍ୟ କରିବାକୁ ପଡ଼ିଥାଏ ।ସେଠାରେ ସାଂବାଦିକଙ୍କ ସୁରକ୍ଷା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନଥାଏ । ମୃତ୍ୟୁମୁଖରେ ପଡୁଥିବା ପ୍ରତି ୧୦ ଜଣ ସାମ୍ୱାଦିକଙ୍କ ମଧ୍ୟରେ ୯ ଜଣ ଦୁର୍ନୀତି ମାନଦଣ୍ଡରେ ୪୫ ରୁ କମ୍ ସ୍କୋର କରୁଥିବା ରାଷ୍ଟ୍ରର ବାସିନ୍ଦା ବୋଲି ଜଣାଯାଇଛି ।


 

ଦୁର୍ନୀତି ବିରୁଦ୍ଧରେ ଯୋଜନାବଦ୍ଧ ଉଦ୍ୟମ କରିବା ନିମନ୍ତେ ‘ଟ୍ରାନସପରନସି ଇଣ୍ଟରନ୍ୟାସନାଲ’ପକ୍ଷରୁ କେତେଗୋଟି ପରାମର୍ଶ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସରକାରୀ ଓ ବ୍ୟାବସାୟିକ କ୍ଷେତ୍ରରେ ଅଭିବ୍ୟକ୍ତିରେ ସ୍ୱାଧୀନତା ପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ । ସ୍ୱାଧୀନ ଗଣମାଧ୍ୟମ, ରାଜନୀତିକ ବିରୋଧ ଓ ସମ୍ୱେଦନଶୀଳ ନାଗରିକ ସମାଜ ପ୍ରତିଷ୍ଠା ପ୍ରତି ପ୍ରାଥମିକତା ଦେବା ବିଧେୟ । ସରକାରୀସ୍ତରରେ ଗଣମାଧ୍ୟମ ନିୟନ୍ତ୍ରଣ ନିମନ୍ତେ ଆଇନ ପ୍ରଣୟନରୁ ବିରତ ରହିବା ଏବଂ ସାଂବାଦିକମାନଙ୍କୁ ସ୍ୱାଧୀନଭାବେ କାର୍ଯ୍ୟକରିବା ନିମନ୍ତେ ପରିବେଶ ସୃଷ୍ଟି ଦିଗରେ ଯତ୍ନବାନ ହେବା ଉଚ଼ିତ । ଆନ୍ତର୍ଜାତିକଅନୁଦାନକାରୀ ସଂସ୍ଥାମାନେ ସାମାଜିକ ବିକାଶ ନିମନ୍ତେ ଗଣମାଧ୍ୟମ ସ୍ୱାଧୀନତାର ଉପାଦେୟତା ଉପଲବ୍ଧ କରି ସେଥିଲାଗି ଉଦ୍ଦିଷ୍ଟ କାର୍ଯ୍ୟକ୍ରମଗୁଡ଼ିକୁ ଉତ୍ସାହିତ କଲେ ସୁଫଳ ମିଳି ପାରିବ ।


 

ସରକାରୀସ୍ତରରେ ସାଧାରଣ ନାଗରିକଙ୍କ ପାଇଁ ସୂଚ଼ନା ସଂଗ୍ରହ ନିମନ୍ତେ ବିଭିନ୍ନ ସୁଯୋଗ ସୁବିଧାକୁ ଜରୁରୀ ଆବଶ୍ୟକତା ପର୍ଯ୍ୟାୟଭୁକ୍ତ କରିପାରିଲେ ପ୍ରଶାସନିକ ସୂଚ଼ନା ପ୍ରଘଟ ଦ୍ୱାରା ସ୍ୱଚ୍ଛତା ବୃଦ୍ଧି ପାଇବ ଏବଂ ଦୁର୍ନୀତି ରୋକାଯାଇପାରିବ । ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ପକ୍ଷରୁ ସୂଚ଼ନା ଅଧିକାର ସଂପର୍କରେ କେବଳ ଆଇନ ପ୍ରଣୟନରେ ଉଦ୍ୟମ ସୀମିତ ନରହି ସେଗୁଡ଼ିକର ସଫଳ ଉପଯୋଗ ପ୍ରତି ଯୋଜନାବଦ୍ଧ ଉଦ୍ୟମ କରାଯିବା ଆବଶ୍ୟକ । ସେହିପରି ନାଗରିକ ସଂଗଠନ ଗୁଡ଼ିକ ସୂଚ଼ନା ଅଧିକାରର ସଫଳ ରୂପାୟନ ନିମନ୍ତେ ନିରନ୍ତର ଉଦ୍ୟମ ଜାରୀ ରଖିବା ଫଳରେ ହିଁ ସରକାରୀ ତତ୍ପରତା ଆଶା କରାଯାଇପାରିବ ।


 

ଅଭିବ୍ୟକ୍ତିରେ ସ୍ୱାଧୀନତା ଦିଗରେ କାର୍ଯ୍ୟରତ ନାଗରିକ ସଂଗଠନ ଓ କର୍ମୀମାନେ ଜାତିସଂଘ ଦ୍ୱାରା ପ୍ରଣୀତ ‘ସଷ୍ଟେନବେଲ ଡ଼େଭଲାପମେଣ୍ଟ ଗୋଲ’ରେ ପ୍ରଦତ୍ତ ମୁକ୍ତ ମତପ୍ରକାଶକୁ ମୌଳିକ ଅଧିକାର ରୂପେ ସାବ୍ୟସ୍ତ କରିବା ତଥା ଗଣମାଧ୍ୟମର ସ୍ୱାଧୀନତା ପ୍ରତିଷ୍ଠା ଦିଗରେ ଆନ୍ତର୍ଜାତିକ ଚୁକ୍ତିନାମାକୁ ଆଧାରକରି ସାମାଜିକସ୍ତରରେ ଚ଼ାପ ସୃଷ୍ଟି କରିବା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ସୁବିଧା ବ୍ୟବହାର କରିପାରିବେ ।


 

ସର୍ବୋପରି ସରକାର ଓ ବ୍ୟବସାୟିକ ପ୍ରତିଷ୍ଠାନମାନ ଅଧିକରୁ ଅଧିକ ପ୍ରଶାସନିକ ଓ ବ୍ୟବସାୟିକ ସୂଚ଼ନା ସର୍ବସାଧାରଣରେ ପ୍ରକାଶ ନିମନ୍ତେ ଯତ୍ନବାନ ହେବା ଆବଶ୍ୟକ । ଏହିଭଳି ଉପକ୍ରମ ସ୍ୱଚ୍ଛତା ବୃଦ୍ଧି ସଙ୍ଗେ ଦୁର୍ନୀତି ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ।


 

‘ଟ୍ରାନ୍ସପରନସି ଇଣ୍ଟରନ୍ୟାସନାଲ’ ପ୍ରତିଷ୍ଠାର ୨୫ତମ ବାର୍ଷକୀ ୨୦୧୮ରେ ପାଳନ କରୁଛି । ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିଗତ ଚଉଠଶତକ ବର୍ଷର ଅଭିଜ୍ଞତାରୁ ଜଣାଯାଇଛି ଯେ ବିଭିନ୍ନ ପ୍ରାନ୍ତରେ ସରକାରୀ ଆଇନ ପ୍ରଣୟନରେ ଦୁର୍ନୀତି ଉପଶମ ହୋଇପାରୁନାହିଁ । ଏଭଳି ଆଇନକାନୁନର ସଫଳ ଉପଯୋଗ ହିଁ ଦୁର୍ନୀତି ନିବାରଣ ସଂଭବ ।


 

ପ୍ରଚଳିତ ଆଇନରେ ଦୁର୍ବଳ ସ୍ଥିତି ଖୋଜିବାହାର କରି ଦୁର୍ନୀତିଗ୍ରସ୍ତ ଫାଇଦା ଉଠାଇଥାନ୍ତି । ପ୍ରଶାସନିକ ଓ ବ୍ୟବସାୟିକ କ୍ଷେତ୍ରରେ ଅନୁସୃତ କାର୍ଯ୍ୟଧାରା ଅନେକ ସମୟରେ ଦୁର୍ନୀତିଗ୍ରସ୍ତକୁ ସୁହାଇଥାଏ । ପ୍ରଯୁକ୍ତି ବିଜ୍ଞାନର ଉପଯୋଗରେ ସ୍ୱଚ୍ଛତା ବିକାଶ ଆଶା କରାଯାଇପାରେ । ତେବେ ଏ ଦିଗରେ ନାଗରିକ ସଚ଼େତନତା ହିଁ ମୂଳ ଆଧାର ।


 

ନାଗରିକ ସମାଜ ଓ ସାମ୍ୱାଦିକତା ଦୁର୍ନୀତି ପ୍ରତିହତ କରିପାରେ ।ଅବଶ୍ୟ ଏହି କ୍ଷେତ୍ରରେ ତୃଣମୂଳସ୍ତରରେ ଉଦ୍ୟମ ହିଁ ଦୀର୍ଘସ୍ଥାୟୀ ବା ‘ସଷ୍ଟେନବେଲ’ ପ୍ରଣାଣିତ ହୋଇଥାଏ । ଉଚ୍ଚସ୍ତରରେ ବହୁଳ ଚର୍ଚ୍ଚିତ ଦୁର୍ନୀତି ବିରୋଧି ଉଦାହରଣମାନ ଦୀର୍ଘସ୍ଥାୟୀ କିମ୍ବା ସେଗୁଡ଼ିକର ପ୍ରଭାବ ସୁଦୂରପ୍ରସାରୀ ହୋଇପାରେନା । ଅତଏବ ଆଞ୍ଚଳିକଭିତ୍ତିରେ ଏସବୁ ତତ୍ତ୍ୱର ପ୍ରଚ଼ାର ଓ ପ୍ରସାର ଜରୁରୀ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ମାର୍ଚ୍ଚ ୨୦୧୮

ସତ୍ୟ, ମିଥ୍ୟା ଓ ସମ୍ୱାଦ

ସୋସିଆଲ ମିଡ଼ିଆରେ ଗୁଜବ ଓ ଅପପ୍ରଚ଼ାର ଆନ୍ତର୍ଜାତିକସ୍ତରରେ ୨୦୧୮ ଶେଷ ବେଳକୁ ଏକ ଅମୀମାଂସିତ ସମସ୍ୟାରୂପେ ମୁଣ୍ଡ ଟେକିଛି । ଇଣ୍ଟରନେଟ ସଂଯୁକ୍ତି ପ୍ରସାର, ସୋସିଆଲ ମିଡ଼ିଆର ଲୋକପ୍ରିୟତା ଓ ସର୍ବୋପରି ସାଧାରଣରେ ଆବାଳ-ବୃଦ୍ଧ-ବନିତା ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ବ୍ୟବହାର ସମୟ ଅବଧି ବଢ଼ିଚାଲିଥିବା ଅବସରରେ ଉପସ୍ଥିତ ସଂକଟର ମୁକାବିଲା କରିବା ପ୍ରଯୁକ୍ତି ବିଜ୍ଞାନୀ ଓ ପ୍ରଶାସକମାନଙ୍କ ପାଇଁ ଚ଼ିନ୍ତାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ପାରମ୍ପରିକ ଗଣମାଧ୍ୟମ ତତ୍ତ୍ୱାବଳୀ ପୁର୍ନଲିଖନର ଆବଶ୍ୟକତା ଅନୁଭୂତ ହୋଇଛି ।


 

ସମକାଳୀନ ସାମାଜିକ ଜୀବନ ସଂପର୍କରେ ଅଧ୍ୟୟନକେନ୍ଦ୍ରୀକ ପ୍ରକାଶନରେ ଇସ୍ରାଏଲ ଲେଖକ ୟୁଭାଲ ନୋଚ଼ ହାରାରି ଅନ୍ୟତମ । ସେ ହିବ୍ରୁ ଭାଷାରେ ଲେଖନ୍ତି । ୨୦୧୧ରେ ତାଙ୍କରି ରଚ଼ିତ ‘ସୋପିୟନ୍ସ’ ଇଂଲିଶ ଭାଷାରେ ପ୍ରକାଶିତ ହେବା ପରେ ପ୍ରାୟ ୩୦ ଗୋଟି ବୈଦେଶିକ ଭାଷାରେ ଅନୁବାଦିତ ହୋଇଛି । ୨୦୧୬ରେ ପ୍ରକାଶିତ ‘ହୋମୋ ଡ୍ୟୁସ’ ଓ ୨୦୧୮ରେ ପ୍ରକାଶିତ ‘ଟ୍ୱାଣ୍ଟିୱାନ ଲେସନ୍ସ ଫର ଟ୍ୱାଣ୍ଟିଫାଷ୍ଟ ସେଞ୍ଚୁରି’ ତାଙ୍କରି ଅନ୍ୟତମ କୃତୀ । ସେ ‘ସୋପିୟନ୍ସ’ରେ ପ୍ରସ୍ତରଯୁଗରୁ ମାନବସମାଜର ଇତିହାସ ତର୍ଜମା କରିଥିବା ବେଳେ ‘ହୋମୋ ଡ୍ୟୁସ’ରେ ମାନବ ସଭ୍ୟତାର ଭବିଷ୍ୟତ କଳନା କରିଛନ୍ତି । ତାଙ୍କରି ପ୍ରଥମ ପୁସ୍ତକଟିର ପ୍ରାୟ ଦଶ ଲକ୍ଷ କପି ବିକ୍ରୀ ହୋଇଥିବା ଜଣାଯାଏ ।


 

ହାରାରିଙ୍କ ବୟସ ୪୨ ବର୍ଷ ଏବଂ ଜେରୁଜଲମର ହିବ୍ରୁ ବିଶ୍ୱବିଦ୍ୟାଳୟରେ ଇତିହାସ ଅଧ୍ୟାପନା କରନ୍ତି । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଡ଼କ୍ଟରେଟ ପାଇଛନ୍ତି । ତାଙ୍କରି ରଚ଼ନା ଟାଇମ୍ସ, ଗାର୍ଡ଼ିଅନ, ନ୍ୟୁୟର୍କ ଟାଇମ୍ସ, ନ୍ୟୂୟର୍କର, ଇକନୋମିଷ୍ଟ ଭଳି ପତ୍ରପତ୍ରିକାରେ ପ୍ରକାଶିତ । ପାଣ୍ଡିତ୍ୟ, ଲୋକପ୍ରିୟତା ଏବଂ ଦୂରଦୃଷ୍ଟିକୁ ବିଚ଼ାରକୁ ନେଲେ ହାରାରିଙ୍କ କୃତିତ୍ୱ ମଧ୍ୟ-ବୟସ୍କ ଉତ୍ତର-ଆଧୁନିକ ଚ଼ିନ୍ତାନାୟକଙ୍କ ମଧ୍ୟରେ ଉଲ୍ଲେଖନୀୟ ସ୍ଥାନ ଦାବୀ କରିଥାଏ । ବ୍ୟକ୍ତିଗତ ଜୀବନରେ ସେ ସମଲିଙ୍ଗ ବିବାହ ବନ୍ଧନରେ ଆବଦ୍ଧ । ଜେରୁଜେଲମ ନିକଟସ୍ଥ ଏକ ସମବାୟ କୃଷିକ୍ଷେତ୍ରରେ ବସବାସ କରନ୍ତି ।


 

ଏକ ଭାରତୀୟ ଇଂଲିଶ ସମ୍ୱାଦପତ୍ରକୁ ୨୦୧୮ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇ-ମେଲ ସାକ୍ଷାତକାରରେ ସେ ସୂଚ଼ନା, ତଥ୍ୟ ଓ ସମ୍ୱାଦର ଗୁରୁତ୍ୱ ବର୍ଣ୍ଣନା କରିଛନ୍ତି । ଅତୀତରେ ଜମିଜମା ସମ୍ପତ୍ତିରୂପେ ପରିଗଣିତ ହେଉଥିଲା, ପରବର୍ତ୍ତୀ ଅବସ୍ଥାରେ କଳକାରଖାନା ସମ୍ପତ୍ତିର ଉତ୍ସ ପାଲଟିଲା, ତେବେ ଏକବିଂଶ ଶତାଦ୍ଦୀରେ ତଥ୍ୟ ‘ଡ଼ାଟା’ ସର୍ବଶ୍ରେଷ୍ଠ ସମ୍ପତ୍ତିର ମାନ୍ୟତା ପାଇଛି ।ତଥ୍ୟକୁ ନେଇ ବ୍ୟାବସାୟିକ ଓ ରାଜନୀତିକ ପ୍ରାଧାନ୍ୟ ବିସ୍ତାରିତ ହେବାରେ ଲାଗିଛି । ଏହି ଧାରା ଭବିଷ୍ୟତରେ ଉଗ୍ରରୂପ ଧାରଣ କରିବ ।


 

ତଥ୍ୟକୁ ଗୁରୁତ୍ୱ ଦିଆଯିବା ବେଳେ ସତ୍ୟ ଓ ମିଥ୍ୟା ତଥା ସଦଉପଯୋଗ ଓ ଦୁରୋପଯୋଗ ବିଚ଼ାରକୁ ଆସିଥାଏ । ସମ୍ୱାଦର ଗୁଣବତ୍ତା ଆଧୁନିକ ଜୀବନଯାତ୍ରାକୁ ଗଭୀର ପ୍ରଭାବିତ କରୁଥିବା ହେତୁ ସମ୍ୱାଦ ସରବରାହରେ ସତର୍କତା ଜରୁରୀ ମନେହୁଏ ।


 

ହାରାରିଙ୍କ ମତରେ ମାନବସଭ୍ୟତାର ଉନ୍ମେଷ କାଳରୁ ସାମାଜିକ ଜୀବନଯାତ୍ରା ପରିଚ଼ାଳନାରେ ଜନମାନସରେ କଳ୍ପନା ଓ ବାସ୍ତବତା ଯୋଡ଼ି ହୋଇ ରହିଛି । ଧାର୍ମିକ ଜୀବନରେ ଆମେ ବହୁ କଳ୍ପନା ପ୍ରସୂତ ତଥ୍ୟାବଳୀକୁ ବିନା ଦ୍ୱିଧାରେ ଗ୍ରହଣ କରିନେଉ । ସେହିପରି ସମାଜରେ ବ୍ୟାବସାୟିକ ପ୍ରଭାବ ‘କର୍ପୋରେସନାଇଜେସନ’ ଅବସରରେ ମଧ୍ୟ ସଂଗଠନ ଓ ସାଂଗଠନିକ ଜୀବନ ସଂପର୍କରେ ଅନେକ ବିଭ୍ରାନ୍ତ ତଥ୍ୟ ଆମ ଚ଼ିନ୍ତାରାଜ୍ୟରେ ବସାବାନ୍ଧି ଥାଏ । ଫଳରେ ଅନେକ କ୍ଷେତ୍ରରେ ସତ୍ୟତାଠାରୁ ଦୂରେଇଯାଉ ।


 

ସମସାମୟିକ ପରିବେଶକୁ ଲକ୍ଷ୍ୟକରି ହାରାରି କହନ୍ତି ଯେ ଅତୀତରେ ସୂଚ଼ନା ‘ଇନଫରମେସନ’ ଦୁର୍ମୂଲ୍ୟ ଥିଲା ।ସମାଜରେ ଖୁବ କମ ଜନସଂଖ୍ୟାଙ୍କ ଅକ୍ତିଆରରେ ବିଭିନ୍ନ ସୂଚ଼ନା ନିୟନ୍ତ୍ରିତ ହେଉଥିଲା । ସୂଚ଼ନାର ସତ୍ୟତା ପରଖିବା ନିମନ୍ତେ ମଧ୍ୟ ସୁବିଧା ସୁଯୋଗ ଅଭାବ ଲାଗି ରହିଥିଲା । ତେବେ ଏକବିଂଶ ଶତାଦ୍ଦୀରେ ସମଗ୍ର ବିଶ୍ୱ ସୂଚ଼ନା-ପ୍ରବଳ ପରିବେଶକୁ ଉତ୍ତୀର୍ଣ୍ଣ ହୋଇଛି । ବିଭିନ୍ନ ସୂତ୍ରରୁ ଏତେମାତ୍ରା, ଏତେ ବେଗ ଏବଂ ଏତେ କିସମର ସୂଚ଼ନା ମନୁଷ୍ୟର ହାତପାଆନ୍ତାରେ ଉପଲବ୍ଧ ଯେ ସେ ଏକ ରକମ ସୂଚ଼ନା-କେନ୍ଦ୍ରୀକ ବିବ୍ରତ-ପରିସ୍ଥିତିରେ ପହଞ୍ଚୁଛି । ଏଥିମଧ୍ୟରୁ ସତ୍ୟ ଓ ମିଥ୍ୟା ଖୋଜି ବାହାର କରିବା ସାଧାରଣ ପାଠକ ପାଇଁ ସମ୍ଭବପର ହୋଇପାରୁ ନାହିଁ ।


 

ଗଣମାଧ୍ୟମ ପୃଷ୍ଠଭୂମିରେ ପରିବର୍ତ୍ତିତ ପରିବେଶରେ ସମ୍ୱାଦ ପାଠକ, ଶ୍ରୋତା ବା ଦର୍ଶକ କ୍ରମଶଃ ଉପଭୋକ୍ତା ‘କଷ୍ଟମର’ ବଦଳରେ ଉତ୍ପାଦ ‘ପ୍ରୋଡ଼େକ୍ଟ’ରେ ପରିଣତ ହେବାରେ ଲାଗିଛି । ବିଭିନ୍ନ ମଞ୍ଚରେ ଚ଼ାଞ୍ଚଲ୍ୟକର ସମ୍ୱାଦ ପ୍ରକାଶନ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଅଧିକାଂଶ କ୍ଷେତ୍ରରେ ଏଭଳି ସମ୍ୱାଦ ଆହରଣ କରିବା ମାଗଣା କିମ୍ୱା ନାମକୁ ମାତ୍ର ମୂଲ୍ୟ ଦେବାକୁ ପଡ଼ିଥାଏ । ତେବେ ସମ୍ୱାଦରେ ମନୋନିବେଶ କରିବା ଅବସରରେ ପାଠକ, ଶ୍ରୋତା ବା ଦର୍ଶକ ତା’ ଅଜାଣତରେ ବିଜ୍ଞାପନ ଓ ରାଜନୀତିଜ୍ଞଙ୍କଠାରେ ପ୍ରକାଶକଙ୍କ ଦ୍ୱାରା ବିକ୍ରୀ ହୋଇସାରିଥାଏ । ଅର୍ଥାତ ଚ଼ାଞ୍ଚଲ୍ୟକର ସମ୍ୱାଦ ସହ ସ୍ଥାନିତ ବ୍ୟାବସାୟିକ ବିଜ୍ଞାପନ ଓ ସମ୍ୱାଦ ପ୍ରଯୋଜନାରେ ରାଜନୀତିକ ଦୃଷ୍ଟିକୋଣ ଅପମିଶ୍ରଣରେ ପ୍ରଭାବିତ ହୋଇପଡ଼େ । ଧାରାବାହିକଭାବେ ଏତାଦୃଶ୍ୟ ଉତ୍ପୀଡ଼ନ ହେତୁ ପାଠକ ସ୍ୱକୀୟ ବୃଦ୍ଧିମତ୍ତା ହରାଇବାକୁ ବାଧ୍ୟ ହୋଇଥାଏ ।


 

ବିଶ୍ୱବ୍ୟାପୀ ସମ୍ୱାଦ ପରିବେଷଣର ପ୍ରଚଳିତ ଧାରା ‘ମଡ଼େଲ’ ବିଜ୍ଞାପନକେନ୍ଦ୍ରୀକଭାବେ ଗଢ଼ି ଉଠିଥିବା ହେତୁ ତଥା ସମ୍ୱାଦ ଶିଳ୍ପ ବୃହତ ବ୍ୟବସାୟରେ ପରିଣତ ହୋଇଥିବା କାରଣରୁ ସମ୍ୱାଦ ଆଙ୍ଗୀକରେ ସତ୍ୟତା ପରିସ୍ପୁଟନ ସ୍ଥଳବିଶେଷରେ ସମସ୍ୟାବହୁଳ ହେବା ସ୍ୱାଭାବିକ । ଏଥି ସହ ଶିଳ୍ପବିପ୍ଳବ ଅବସରରେ ସମ୍ୱାଦ ଶିଳ୍ପ ଓ ଗଣତନ୍ତ୍ର ଉଭୟ ଏକ ସମୟରେ ବିକଶିତ ହୋଇଥିବା ତଥା ପରିପୂରକଭାବେ କାର୍ଯ୍ୟକ୍ଷମ ଥିବା ହେତୁ ସମ୍ୱାଦିକତାର ପରିଧିରେ ରାଜନୀତିକ ପ୍ରଭାବ ମୂଳରୁ ବଳବତ୍ତର ରହିଛି । କେତେକ କ୍ଷେତ୍ରରେ ସମ୍ୱାଦଶିଳ୍ପ ଗଣତନ୍ତ୍ରର ସୁରକ୍ଷା କବଚ ପ୍ରମାଣିତ ହେଉଥିବା ସ୍ଥଳେ କେତେକ କ୍ଷେତ୍ରରେ ଗଣତନ୍ତ୍ର ଲାଗି ବିପଦ ଘଣ୍ଟି ଶୁଣାଉଛି ।


 

ଇଣ୍ଟରନେଟ ତଥା ‘ୱାରଲଡ଼-ୱାଇଡ଼-ୱେବ’ର ପ୍ରଚଳନ ସର୍ବସାଧାରଣରେ ସୂଚ଼ନା ସଂଗ୍ରହ ନିମନ୍ତେ ବିପୁଳ ସଂଭାବନା ସୃଷ୍ଟି କରିଥିଲା ।‘ହାଇପର ଲିଙ୍କ’ ଉପଯୋଗରେ ବିଶ୍ୱବ୍ୟାପୀ ଇଣ୍ଟରନେଟ ମଞ୍ଚରେ ଉପଲବ୍ଧ ସମସ୍ତ ତଥ୍ୟାବଳୀ ସମସ୍ତଙ୍କ ପାଇଁ ଊଣାଅଧିକେ ଉପଲବ୍ଧ ହୋଇପାରିଥିଲା ।


 

ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକ ଶେଷ ବେଳକୁ ଇଣ୍ଟରନେଟ ପ୍ରସାର ସାଙ୍ଗକୁ ସୋସିଆଲ ମିଡ଼ିଆର ଲୋକପ୍ରିୟତା ସମ୍ୱାଦ ଉପତ୍ୟକାରେ ‘ସତ୍ୟତା’କୁ ନେଇ ଏକ ନୂତନ ସଂଙ୍କଟ ସୃଷ୍ଟି କଲା। ଶିଳ୍ପବିପ୍ଳବ ପରବର୍ତ୍ତୀ ଅବସ୍ଥାରେ ମୁଦ୍ରଣଯନ୍ତ୍ର ଏବଂ ତତପରବର୍ତ୍ତୀ ଅବସ୍ଥାରେ ରେଡ଼ିଓ, ଟେଲିଭିଜନ ଓ ଚଳଚ଼ିତ୍ର ସୂଚ଼ନା ପ୍ରସାରଣକୁ ପରିବ୍ୟାପ୍ତ କରିଥିଲା । ଜଣେ ସାମ୍ୱାଦିକର ରଚ଼ନା ଏକ ସୂତ୍ର ‘ସୋର୍ସ’ରୁ ଅନେକ ପାଠକ, ଶ୍ରୋତା ଓ ଦର୍ଶକ ‘ରିସିଭର‘ଙ୍କ ପାଇଁ ପ୍ରସାରଣ ସମ୍ଭବପର ହୋଇପାରିଥିଲା । ଯଦିଓ ପ୍ରକାଶିତ ସମ୍ୱାଦ ସଂପର୍କରେ ପାଠକୀୟ ମନ୍ତବ୍ୟ ନିମନ୍ତେ ‘ସଂପାଦକଙ୍କୁ ପତ୍ର’ ବା ‘ଶ୍ରୋତାଙ୍କଠାରୁ...’ ଭଳି ସ୍ତମ୍ଭ ସଂଯୋଜନା କରାଯାଉଥିଲା, ତେବେ ତାହାର ପ୍ରଭାବ ନଗଣ୍ୟ ଧରାଯାଉଥିଲା । ତେବେ ସୋସିଆଲ ମିଡ଼ିଆର ଅଭ୍ୟୁଦୟପରେ ସମସ୍ତ ଉପଭୋକ୍ତା ମତବ୍ୟକ୍ତ କରିବାର ସୁଯୋଗ ସୁବିଧା ପାଇପାରିଲେ । ଏହା ସମ୍ୱାଦ ବିନିମୟକ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବେଶ ସୃଷ୍ଟି କରିଛି ।


 

ସୋସିଆଲ ମିଡ଼ିଆର ପ୍ରଚଳନ ପୂର୍ବରୁ ବୃତ୍ତିଧାରୀ ନଚ଼େତ ଅନ୍ତତଃପକ୍ଷେ ଅଭିଜ୍ଞ ସାମ୍ୱାଦିକମାନେ ସମ୍ୱାଦ ରଚ଼ନା ଓ ପ୍ରକାଶନରେ ସଂପୃକ୍ତ ରହୁଥିଲେ । ସାମ୍ୱାଦିକତା ପ୍ରଶାସନିକ ସ୍ୱୀକୃତି ହାସଲ କରୁଥିଲା ଏବଂ ଉତ୍ତରଦାୟୀ ରହୁଥିଲା । ତେବେ ସୋସିଆଲ ମିଡ଼ିଆରେ ପ୍ରକାଶନ ସମସ୍ତ ଉପଭୋକ୍ତାଙ୍କ ନିମନ୍ତେ ଉନ୍ନୁକ୍ତ ରହିବା ତଥା ଏଭଳି ମଞ୍ଚରେ ସମ୍ୱାଦ ପରିବେଷଣ ନିମନ୍ତେ ଅଭିଜ୍ଞତା, ତାଲିମ ବା ଅନୁଶାସନର ଆବଶ୍ୟକତା ନଥିବା ହେତୁ ସ୍ଥଳବିଶେଷରେ ସମ୍ୱାଦ ପ୍ରସାରଣଜନିତ ଜଟିଳ ଅବସ୍ଥା ସୂତ୍ରପାତ ହେଉଛି । ବିଶ୍ୱବ୍ୟାପୀ ସୋସିଆଲ ମିଡ଼ିଆ ମଞ୍ଚ ପରିଚ଼ାଳନା କରୁଥିବା ବୈଷୟିକ ସଂସ୍ଥା ଓ ପ୍ରଶାସନ ପକ୍ଷରୁ ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ଉଦ୍ୟମ ଜାରୀ ରହିଛି ।


 

ସୋସିଆଲ ମିଡ଼ିଆ ମଞ୍ଚ ଗୋଷ୍ଠୀଗତ ଓ ସର୍ବସାଧାରଣ ବ୍ୟବହାରରେ ପର୍ଯ୍ୟବସିତ । ଉଦାହରଣରେ ଫେସବୁକ ଫ୍ରେଣ୍ଡସ, ହ୍ୱାଟସଅପ ଗୃପସ ମଧ୍ୟରେ ସମ୍ୱାଦ ଆଦାନ ପ୍ରଦାନ ସୀମିତ ରହିଥାଏ । ତେବେ ବ୍ଳଗ, ୟୁ-ଟ୍ୟୁବ ସମସ୍ତଙ୍କ ନିମନ୍ତେ ଉନ୍ମୁକ୍ତ । ଆଇନତଃ ତୃତୀୟ ପକ୍ଷର ଉପସ୍ଥିତିରେ ଉଚ୍ଚାରଣ ପ୍ରକାଶନ ପର୍ଯ୍ୟାୟଭୁକ୍ତ । ଅର୍ଥାତ ଜଣେ ବ୍ୟକ୍ତି ଅନ୍ୟଜଣ ସହ କଥାବାର୍ତ୍ତା ହୋଇପାରେ କିନ୍ତୁ ତୃତୀୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଯଦି ଅପମାନସୂଚ଼କ ମନ୍ତବ୍ୟ ଦିଏ ତେବେ ଦ୍ୱିତୀୟ ବ୍ୟକ୍ତି ପ୍ରଥମ ବ୍ୟକ୍ତିଙ୍କ ବିରୁଦ୍ଧରେ ମାନହାନୀ ଅଭିଯୋଗ ଆଣିପାରିବ । ଏହି ଧାରାରେ ସୋସିଆଲ ମିଡ଼ିଆ ମଞ୍ଚରେ ସମସ୍ତ ପୋଷ୍ଟିଂ ପ୍ରକାଶନ ପର୍ଯ୍ୟାୟଭୁକ୍ତ ଏବଂ ପ୍ରଚଳିତ ଆଇନକାନୁନ ଦ୍ୱାରା ନିୟନ୍ତ୍ରିତ ।


 

ପାରମ୍ପରିକ ଗଣମାଧ୍ୟମ ମଞ୍ଚରେ ବିକଶିତ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ ଓ ଚଳଚ଼ିତ୍ର କ୍ରମଶଃ ପ୍ରସାରଣ ନିମନ୍ତେ ଇଣ୍ଟରନେଟମୁହାଁ ହେବାରେ ଲାଗିଛନ୍ତି । ଇଣ୍ଟରନେଟ ଯୋଗେ ଆନ୍ତର୍ଜାତିକସ୍ତରରେ ଉପସ୍ଥିତି ଓ ଡ଼ିଜିଟାଲ ଆର୍ଥିକ କାରବାର ଉପଯୋଗରେ ଗ୍ରାହକ ଚ଼ାନ୍ଦା ସଂଗ୍ରହ ନୂତନ ବ୍ୟାବସାୟିକ ଧାରା ସୃଷ୍ଟି କରିଛି । ତେବେ ବାସ୍ତବ କ୍ଷେତ୍ରରେ ଏତାଦୃଶ ପରିବେଶ ବୃହତ ଆନ୍ତଃରାଷ୍ଟ୍ରୀୟ ବ୍ୟାବସାୟିକ ସଂଗଠନ ଆୟତ୍ତକୁ ଚ଼ାଲିଯାଉଥିବା ଲକ୍ଷ୍ୟ କରାଯାଏ । ସ୍ୱାଧୀନ, ଏକକ ତଥା ନିଷ୍ଠାବାନ ଉଦ୍ୟମ ପ୍ରତି ତତ୍ତ୍ୱଗତଭାବେ ସୁଯୋଗ ସୁବିଧା ଉପଲବ୍ଧ ଥିଲେହେଁ ତାହା ଅନେକ କ୍ଷେତ୍ରରେ ରୂପାୟନ ଓ ପରିଚ଼ାଳନାଜନିତ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ଉଧେଇ ପାରି ନଥାଏ ।


 

ବ୍ୟାବସାୟିକ ପ୍ରଭାବମୁକ୍ତ ପରିବେଶ ଅଗ୍ରଣୀ ସାମ୍ୱାଦିକତା ‘ଇଲାଇଟ ଜର୍ଣ୍ଣାଲିଜମ’ ପ୍ରଚଳନରେ ସହାୟକ ହେବା ଆଶା କରାଯାଏ । ଏଥି ନିମନ୍ତେ ବିଜ୍ଞାପନ, ରାଜନୀତିକ କିମ୍ୱା ବ୍ୟବସାୟିକ ପୃଷ୍ଠପୋଷକତା ବିନା ଗ୍ରାହକ ଚ଼ାନ୍ଦା ପରିପୁଷ୍ଟ ଧାରାର ପ୍ରଚ଼ଳନ ଆବଶ୍ୟକ । ସତ୍ୟନିଷ୍ଟ ଉତ୍ତମ ସାଂବାଦିକତା ପ୍ରଯୋଜନା ନିମନ୍ତେ ଅର୍ଥ, ସମୟ ଓ ପ୍ରତିଭା ପ୍ରୟୋଜନ । ଏହାକୁ ଉପଭୋକ୍ତାମାନେ ଭରଣା କରିବା ଯୁକ୍ତିଯୁକ୍ତ ।


 

ପ୍ରଶ୍ନ ଉଠେ ସାଧାରଣ ବ୍ୟକ୍ତି ଭଲ ଖାଦ୍ୟ, ପୋଷାକ ତଥା ଜୀବନଯାତ୍ରା ପାଇଁ ପଇସାଖର୍ଚ୍ଚ କରିପାରୁଥିବା ସ୍ଥଳେ ଉତ୍ତମ ସମ୍ୱାଦ ଉତ୍ପାଦ ଆହରଣ ନିମନ୍ତେ କାହିଁକି ଖର୍ଚ୍ଚ କରିପାରିବେ ନାହିଁ ? ସମ୍ୱାଦ ମାଗଣା କିମ୍ୱା ଶସ୍ତାରେ ଉପଲବ୍ଧଥିବାବେଳେ ଲୋକେ କାହିଁକି ଏଥି ନିମନ୍ତେ ଅର୍ଥ ବ୍ୟୟ କରିବେ ବୋଲି ଭାବିବା ଠିକ ହେବ ନାହିଁ । ଉଚ୍ଚକୋଟିର ସମ୍ୱାଦ ପରିବେଷଣ ଉଦାହରଣ ପାରମ୍ପରିକ ମାନସିକତାକୁ ବଦଳାଇ ଦେଇପାରେ । ତେବେ ପ୍ରଶ୍ନ ଉଠେ ଏଥିପାଇଁ ମଧ୍ୟ ଯଦି ‘ନେଟଫ୍ଳିକ୍ସ’ ଭଳି ବଡ଼ ଧରଣର ଆର୍ଥିକ ନିବେଶ ଆବଶ୍ୟକ ପଡ଼େ ତେବେ ଏଭଳି ଉଦ୍ୟମ ବ୍ୟାବସାୟିକ ପ୍ରଭାବରୁ ମୁକ୍ତ ରହିପାରିବ କି ?


 

ସତ୍ୟ, ମିଥ୍ୟା ଓ ସମ୍ୱାଦର ତ୍ରିଭୂଜରେ ସାମ୍ୱାଦିକତା ଉନ୍ମେଷ କାଳରୁ ସହବସ୍ଥାନ କରି ଆସିଥିଲେ ହେଁ ପ୍ରଯୁକ୍ତି ବିଜ୍ଞାନର ସଦ୍ୟତମ ଉଦ୍ଭାବନମାନ ଉପଯୋଗ ସାମାଜିକ ବିଭ୍ରାଟର କାରଣ ପାଲଟୁଛି । ଏହାର ଉପଶମରେ ବୈଷୟିକ ଜ୍ଞାନ, ପ୍ରଶାସନିକ ନୀତିନିୟମ ଓ ଉପଭୋକ୍ତାଙ୍କ ସଚ଼େତନତାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଆଶା କରାଯାଇପାରେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୪ ସେପ୍ଟେମ୍ୱର ୨୦୧୮


ତଥ୍ୟ:


 

‘In the news market, you’re not the customer but product. You are being sold.’ TOI Exclusive.Sunday Times of India. (Bhubaneswar Edition). September 2, 2018.



 ଅନଲାଇନ ଗୁଜବ

ସୋସିଆଲ ମିଡ଼ିଆର ବ୍ୟାପ୍ତି ସହ ଅନଲାଇନ ଗୁଜବ ପ୍ରସାର ବିଶ୍ୱବ୍ୟାପୀ ଯୋଡ଼ି ହୋଇ ରହିଛି । ବିଗତ ଦଶନ୍ଧିରେ ସ୍ମାର୍ଟଫୋନର ବହୁଳ ବ୍ୟବହାର ଫେସବୁକ, ଟୁଇଟର ଓ ହ୍ୱାଟସଆପ ଭଳି ମେସେଜିଂ ଆପ୍ଲିକେସନର ଲୋକପ୍ରିୟତାରେ ପର୍ଯ୍ୟବସିତ ହୋଇଛି । ଏକ ପକ୍ଷରେ ବ୍ୟକ୍ତିଗତ ଯୋଗାଯୋଗ କ୍ଷେତ୍ରରେ ଅନଲାଇନ ସୁବିଧା ସୁଯୋଗ ବିପୁଳ ସମ୍ଭାବନା ସୃଷ୍ଟି କରିଥିବାସ୍ଥଳେ ଗୁଜବ ପ୍ରସାରରେ ସୃଷ୍ଟ ଭ୍ରାନ୍ତ ପରିବେଶ ସ୍ଥଳବିଶେଷରେ ସାମାଜିକ ଅସ୍ଥିରତାର କାରଣ ପାଲଟୁଛି ।


 

ମାନବ ସଭ୍ୟତାରେ ଗୁଜବ ପ୍ରସାର ପ୍ରବୃତ୍ତି ଭାଷା-ପୂର୍ବ ଅବସ୍ଥାରୁ ଚଳିଆସିଛି ବୋଲି କହିବାକୁ ହେବ । ଠାର ଓ ସ୍ୱର ଦ୍ୱାରା ମନୁଷ୍ୟ ଭାବ ପ୍ରକାଶ କାଳରେ ମିଥ୍ୟା ଓ ଅତିରଞ୍ଜିତ ତଥ୍ୟ ପ୍ରସାରରେ ସଂପୃକ୍ତି ଅନୁମାନ କରାଯାଇପାରେ । ଉଦାହରଣରେ ଜଣେ ଫଳମୂଳ ସଂଗ୍ରହ କିମ୍ୱା ଶିକାରର ଅଭିଜ୍ଞତା ଆତ୍ମୀୟଙ୍କ ମେଳରେ ବର୍ଣ୍ଣନା ଅବସରରେ ବାସ୍ତବତାରୁ କିଛିମାତ୍ରାରେ ଦୂରେଇଯିବା ବିଭିନ୍ନ କାରଣରୁ ସ୍ୱାଭାବିକ ମନେହୁଏ । ପ୍ରାଣୀମାତ୍ରକେ ବିପଦର ଆଶଙ୍କା ଜନ୍ମଗତ । ସମ୍ଭାବ୍ୟ ବିପଦ ବର୍ଣ୍ଣନା ଅଧିକାଂଶସ୍ଥଳରେ କଳ୍ପନା ପ୍ରସୂତ ହୋଇଥାଏ ।


 

ଉଲ୍ଲେଖନୀୟ ବିଷୟ ଏହିଯେ ମାନବ ସଭ୍ୟତାର ବିକାଶ ଚ଼ରମ ସୀମାରେ ପହଞ୍ଚୁଥିବା ତଥା ଯାବତୀୟ ପ୍ରଯୁକ୍ତି କୌଶଳ ଉଦ୍ଭାବନ ଓ ଉପଯୋଗ କାଳରେ ମଧ୍ୟ ମନୁଷ୍ୟ ଗୁଜବ ପ୍ରସାରର ଆଦିମ ପ୍ରବୃତ୍ତିଟିକୁ ପରିତ୍ୟାଗ କରିପାରି ନାହିଁ । ଅଧିକନ୍ତୁ ପ୍ରକାଶନ ନିମନ୍ତେ ବନ୍ଧନୀମୁକ୍ତ ସୋସିଆଲ ମିଡ଼ିଆ ପରିବେଶରେ ଗୁଜବ ପ୍ରାଣବନ୍ତ ରହିଛି ଏବଂ ଏହାର ପ୍ରଭାବ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକରେ ରାଜନୀତିକ, ଅର୍ଥନୀତିକ ତଥା ସାମାଜିକ କ୍ଷେତ୍ରରେ ବ୍ୟାପକ ବିଭ୍ରାଟର କାରଣରୂପେ ଚ଼ିହ୍ନଟ ହେଉଛି ।


 

ଗଣମାଧ୍ୟମ ଅଧ୍ୟୟନରେ ଗୁଜବ ସଂପର୍କରେ ଗବେଷଣା ତଥ୍ୟ ଉପଲବ୍ଧ ଥିଲେ ହେଁ, ଆନଲାଇନ ଗୁଜବ ସଂପର୍କୀତ ସନ୍ଦର୍ଭଗୁଡ଼ିକର ସଂଖ୍ୟା ସୀମିତ । ନିକଟ ଅତୀତରେ ସୋସିଆଲ ମିଡ଼ିଆର ଉତ୍ପତ୍ତି ତଥା ବିଶ୍ୱବ୍ୟାପୀ ଏହାର ପରିବ୍ୟାପ୍ତି ନିର୍ଭରଶୀଳ ଗବେଷଣା ନିମନ୍ତେ ପ୍ରତିବନ୍ଧକ ମନେକରାଯାଏ । ଅବଶ୍ୟ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ତୁଳନାରେ ଅନ-ଲାଇନ ବ୍ୟବହାରଜନିତ ତଥ୍ୟ ଆହରଣ ନିମନ୍ତେ ପ୍ରକୃଷ୍ଟ ପରିବେଶ ସୃଷ୍ଟିରେ ସହାୟକ ହୋଇଥାଏ ଏବଂ ଏହି କାରଣରୁ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକର ଉତ୍ପତ୍ତି ସମୟରୁ ଅସଂଖ୍ୟ ଗବେଷଣା ସଂଭବପର ହୋଇପାରିଛି ।


 

ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟସ ଇନଷ୍ଟିଟିଉଟ ଅଫ ଟେକନୋଲଜିରେ ଅବସ୍ଥାପିତ ସିନାନ ଆରଲ ନାମକ ଜନୈକ ପ୍ରଫେସର ଦୁଇଜଣ ସହକର୍ମୀ ଦେବ ରାୟ ଓ ସୋରୋଶ ଭୋସୌଗିଙ୍କ ସହ ଖ୍ୟାତନାମା ‘ସାଇନ୍ସ’ ପତ୍ରିକାର ୨୦୧୮ ମାର୍ଚ୍ଚ ସଂସ୍କରଣରେ ଅନଲାଇନ ଗୁଜବ ସଂପର୍କରେ ଏକ ସନ୍ଦର୍ଭ ପ୍ରକାଶ କରିଛନ୍ତି । ଏହି ଗବେଷଣା ନିମନ୍ତେ ୨୦୦୬ରେ ଟୁଇଟର ଆରମ୍ଭ ସମୟରୁ ୨୦୧୭ ବାରବର୍ଷ ମଧ୍ୟରେ ପ୍ରସାରିତ ଏକ ଲକ୍ଷ ୨୬ ହଜାର ଟୁଇଟ ବାର୍ତ୍ତାଳାପ ଗୁଚ୍ଛ ‘କାସକାଡ଼ସ’ ନିର୍ବାଚ଼ିତ କରି ଅନୁଶୀଳନ କରାଯାଇଛି। ଏଥି ମଧ୍ୟରେ ସତ୍ୟ ଓ ଅସତ୍ୟ ଉଭୟ ପର୍ଯ୍ୟାୟର ଟୁଇଟ ଅନ୍ତର୍ଭୁକ୍ତ ଏବଂ ଏଗୁଡ଼ିକ ପ୍ରାୟ ୩୦ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରେ ପ୍ରସାରିତ ହୋଇଥିଲା ।


 

ଏମଆଇଟି ପ୍ରଫେସରଙ୍କ ଗବେଷଣାର ନିର୍ଯ୍ୟାସଗୁଡ଼ିକ ମଧ୍ୟରେ ତିନିଗୋଟି ପ୍ରବାହ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ ସତ୍ୟ ତୁଳନା ଅସତ୍ୟ ପୋଷ୍ଟଗୁଡ଼ିକ ଅଧିକ ବେଗରେ ଅଧିକ ମାତ୍ରାରେ ପ୍ରସାରିତ ହୋଇଥାଏ । ହିସାବରୁ ଜଣାଯାଇଛି ଯେ ୭୦ ପ୍ରତିଶତ ଅସତ୍ୟ ପୋଷ୍ଟ ସେୟାର ହୋଇଥାଏ । ଅପରପକ୍ଷରେ ଯେଉଁମାନେ ଅଧିକ ପରିମାଣରେ ଅସତ୍ୟ ପୋଷ୍ଟ ସେୟାର କରିଥାନ୍ତି ସେମାନଙ୍କ ଏକାଉଣ୍ଟରେ ଅଳ୍ପ ସଂଖ୍ୟକ ଫାଲୋଏର ଥାଆନ୍ତି ଏବଂ ସେମାନେ କମ ସମୟ ପାଇଁ ସୋସିଆଲ ମିଡ଼ିଆ ବ୍ୟବହାର କରିଥାନ୍ତି ।


 

ଦ୍ୱିତୀୟତଃ ସୋସିଆଲ ମିଡ଼ିଆରେ ରୋବଟ ପ୍ରସୂତ ପୋଷ୍ଟ ଜରିଆରେ ମିଥ୍ୟା ସମ୍ୱାଦ ଓ ଗୁଜବ ପ୍ରସାରିତ ହେଉଥିବା ସାଧାରଣରେ ଅଭିଯୋଗ ଆସିଥାଏ । କିନ୍ତୁ ଗବେଷଣାରୁ ଜଣାଯାଇଛି ଯେ ସତ୍ୟ ଓ ମିଥ୍ୟା ଉଭୟ ସମ୍ୱାଦ ସେୟାର କରିବାରେ ରୋବଟର ଭୂମିକା ସମାନ ରହିଥାଏ । ଅର୍ଥାତ ରୋବଟ ତୁଳନାରେ ମନୁଷ୍ୟମାନେ ହିଁ ସୋସିଆଲ ମିଡ଼ିଆରେ ଅଧିକମାତ୍ରାରେ ଗୁଜବ ପ୍ରସାର କରିଥାନ୍ତି ।


 

ତୃତୀୟତଃ ଗୁଜବରେ ନୂତନ ଦୃଷ୍ଟିକୋଣ ସୋସିଆଲ ମିଡ଼ିଆରେ ଏହାକୁ ସେୟାର କରିବାଲାଗି ଉତ୍ସାହିତ କରିଥାଏ । ଗୁଜବରେ ସନ୍ନିବେଶିତ ଚ଼ାଞ୍ଚଲ୍ୟକର ତଥ୍ୟାବଳୀ ଲୋକଙ୍କୁ ଆକୃଷ୍ଟ କରିଥାଏ ଏବଂ ସେଗୁଡ଼ିକୁ ପରିଚ଼ିତବର୍ଗଙ୍କ ମଧ୍ୟରେ ବିତରଣ କରିବାକୁ ପସନ୍ଦ କରିଥାନ୍ତି । ଅନେକେ କୌଣସି ଏକ ପୋଷ୍ଟ ମିଥ୍ୟା ସମ୍ୱାଦ ବା ଗୁଜବ ବୋଲି ଜାଣି ସୁଦ୍ଧା କୌତୁହଳବଶତଃ ସେୟାର କରିବାକୁ ପଛଘୁଞ୍ଚା ଦେଇନଥାନ୍ତି ।


 

ସ୍ୱତଃପ୍ରବୃତ୍ତ ଗୁଜବ ତୁଳନାରେ ପ୍ରାୟୋଜିତ ଗୁଜବ ମାରାତ୍ମକ । ରାଜନୀତି, ବାଣିଜ୍ୟ ବ୍ୟବସାୟ ଓ ମନୋରଞ୍ଜନ ବର୍ଗରେ ଗୁଜବ ପ୍ରଭାବଶାଳୀ ଭୂମିକା ଗ୍ରହଣ କରୁଥିବା ହେତୁ ଏହିସବୁ କ୍ଷେତ୍ରରେ ଅନଲାଇନରେ ଲକ୍ଷ୍ୟବଦ୍ଧ ଗୁଜବ ପ୍ରଯୋଜନା ଓ ପ୍ରସାରଣ ଏକ ରକମ ବ୍ୟବସାୟରୂପେ ଗଢ଼ି ଉଠିଲାଣି । ସୋସିଆଲ ମିଡ଼ିଆ ପରିବେଶରେ କ୍ରମାଗତଭାବେ ଅଭିନବ ପ୍ରଯୁକ୍ତି କଳାକୌଶଳ ତଥା ବ୍ୟାବସାୟିକ ମଡ଼େଲ ଉପଯୋଗ ହେଉଥିବା ହେତୁ ଏହାର ପ୍ରଗତି ଓ କାର୍ଯ୍ୟକାରିତା ହଠାତ ଆକଳନ କରିବା ସଂଭବପର ହୋଇପାରୁ ନାହିଁ । ଫଳତଃ ନୀତି ଓ ସ୍ଥିତି ମଧ୍ୟରେ ପ୍ରଭେଦ ସୃଷ୍ଟି ହେଉଛି ।


 

ଭାରତୀୟ ସମ୍ୱିଧାନର ମୌଳିକ ଅଧିକାର ଅଭିବ୍ୟକ୍ତିରେ ସ୍ୱାଧୀନତା ୧୯(୧)ଖ ଅନୁଯାୟୀ ଗୁଜବ ପ୍ରସାର ଆଇନତଃ ନିଷିଦ୍ଧ । ଇନଫରମେସନ ଟେକନୋଲଜି ଆକ୍ଟ ୨୦୦୦ରେ ଅନଲାଇନରେ ଗୁଜବ ପ୍ରସାର ବାରଣ କରାଯାଇଛି । ତେବେ ସୋସିଆଲ ମିଡ଼ିଆରେ ଗୁଜବ ପ୍ରସାର ଆଇନ ବଦଳରେ ସଚ଼େତନତା ସୃଷ୍ଟି ଉପରେ ନିର୍ଭରଶୀଳ ।ସର୍ବସାଧାରଣରେ ଗଣମାଧ୍ୟମ ସାକ୍ଷରତା ପ୍ରସାର ହିଁ ଗୁଜବ ପ୍ରସାର ରୋକିବାର ଏକମାତ୍ର ବିକଳ୍ପ । ଏ ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ପ୍ରଯୋଜନା ପରିବର୍ତ୍ତିତ ପରିପ୍ରେକ୍ଷୀରେ ଜରୁରୀ ହୋଇପଡ଼ିଛି ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୧୮


ତଥ୍ୟ:


 

https://www.nytimes.com/2018/03/08/opinion/sunday/truth-lies-spread-online.html

ମିଥ୍ୟା ସମ୍ୱାଦ ‘ଫେକ ନ୍ୟୂଜ’

ବହୁଳ ଚର୍ଚ୍ଚିତ ‘ଫେକ ନ୍ୟୂଜ’ ଗୁଜବ ପର୍ଯ୍ୟାୟଭୁକ୍ତ । ପଞ୍ଚଦଶ ଶତାଦ୍ଦୀର ମଧ୍ୟଭାଗରେ ମୁଦ୍ରଣ ଯନ୍ତ୍ର ଉଦ୍ଭାବନ ଏବଂ ପରବର୍ତ୍ତୀ ଅବସ୍ଥାରେ ସମ୍ୱାଦପତ୍ରର କ୍ରମବିକାଶ ପୂର୍ବବର୍ତ୍ତୀ ଅବସ୍ଥାରେ ସର୍ବସାଧାରଣରେ ଶୁଣାକଥାରେ ଖବର ପ୍ରସାରିତ ହେଉଥିବା ହେତୁ ଗୁଜବର ପ୍ରାବଲ୍ୟ ଅନୁଭୂତ ହେଉଥିଲା । ମୁଦ୍ରିତ ସମ୍ୱାଦ ବିଧିବଦ୍ଧଭାବେ ଉପସ୍ଥାପନ ଅବସରରେ ତାହାର ଗୁଣବତ୍ତାପ୍ରତି ଧ୍ୟାନ ଦିଆଯିବା ଆରମ୍ଭ ହେଲା । ଗଣମାଧ୍ୟମର ଉତ୍କର୍ଷତା ବିକାଶରେ ସମ୍ୱାଦ ପରିଧିରୁ ଗୁଜବ ବିଲୋପ ନିମନ୍ତେ କ୍ରମାଗତ ଉଦ୍ୟମ ସତ୍ତ୍ୱେ ସମାଜରେ ଗୁଜବର ଗୁରୁତ୍ୱ କମି ନାହିଁ ।


 

ଯୋଗାଯୋଗ ବିଜ୍ଞାନରେ ନୂତନ ଉଦ୍ଭାବନ ଚଳଚ଼ିତ୍ର, ରେଡ଼ିଓ ଓ ଟେଲିଭିଜନ ପରେ ଇଣ୍ଟରନେଟ ପ୍ରସାର କାଳରେ ମଧ୍ୟ ଗୁଜବ ତାହାର ଆସ୍ଥାନ ମାଡ଼ି ବସିଥିବା ଲକ୍ଷ୍ୟ କରାଯାଇପାରେ । ଅନ-ଲାଇନ ପରିବେଶରେ ୨୦୧୬ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରକୁ ୟୁରୋପୀୟ ଦେଶପୁଞ୍ଜରୁ ବ୍ରିଟେନ ଅପସାରଣ ନିମନ୍ତେ ଜନମତଠାରୁ ଆରମ୍ଭ କରି ଫ୍ରାନ୍ସ, କେନିଆ ନିର୍ବାଚ଼ନରେ ମିଥ୍ୟା ସମ୍ୱାଦର ଭୂମିକା ଆଧୁନିକ ଗଣମାଧ୍ୟମ ବିକାଶର ଚ଼ାରିଶହ ବର୍ଷର ଇତିହାସରେ ସ୍ୱଚ୍ଛତା ପ୍ରତି ଏକ ପ୍ରଶ୍ନବାଚ଼ୀ ସୃଷ୍ଟି କରିଛି ।


 

ଗୁଜବ ଓ ମିଥ୍ୟା ସମ୍ୱାଦ ‘ଫେକ ନ୍ୟୂଜ’ ମଧ୍ୟରେ ପାର୍ଥକ୍ୟ ଏହିଯେ ଗୁଜବ ଊଣାଅଧିକେ ସ୍ୱତଃପ୍ରବୃତ୍ତଭାବେ ଗଢ଼ି ଉଠୁଥିବାବେଳେ ‘ଫେକ ନ୍ୟୂଜ’ପ୍ରାୟୋଜିତ ।ଲକ୍ଷ୍ୟଭିତ୍ତିକ ପ୍ରଚ଼ାର ‘ପ୍ରପୋଗଣ୍ଡା’ ନିମନ୍ତେ ବିଧିବଦ୍ଧଭାବେ ଗୁଜବ ରଟନାକୁ ‘ଫେକ ନ୍ୟୂଜ’ କୁହାଯାଏ । ଏହା ମୁଖ୍ୟତଃ ‘ଅନଲାଇନ’ ପରିବେଶରେ ସଂପ୍ରସାରିତ ହୋଇଥାଏ ।


 

ଗୁଜବ ପ୍ରତି ମନୁଷ୍ୟର ଅର୍ନ୍ତନିହିତ ଆକର୍ଷଣ ସର୍ବଜନବିଦିତ । ଗୁଜବ ମିଥ୍ୟା, ଅର୍ଦ୍ଧସତ୍ୟ, ଅତିରଞ୍ଜିତ, ଚ଼ାଞ୍ଚଲ୍ୟକର, ପକ୍ଷପାତିତା ଓ ଅଭିମତ ସଂବଳିତ ହୋଇଥିବାବେଳେ ସମକାଳରେ ସାମାଜିକ ଗଣମାଧ୍ୟମ ‘ସୋସିଆଲ ମିଡ଼ିଆ’ର ଲୋକପ୍ରିୟତା ଅବସରରେ ସ୍ୱୟଂକ୍ରିୟ ‘ଅଟୋମେସନ’ ଓ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ର ଉପଯୋଗ ଗୁଜବ ପ୍ରସାରଣ ଧାରାକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିଛି । ଉଦାହରଣରେ ଇଣ୍ଟରନେଟ ଉପଭୋକ୍ତାଙ୍କ ରୁଚ଼ି ସଂପର୍କରେ ତଥ୍ୟ ସଂଗ୍ରହକରି ସେମାନଙ୍କୁ ସୁହାଇଲାଭଳି ଗୁଜବ ସେମାନଙ୍କ ବ୍ୟକ୍ତିଗତ ସଂସ୍କରଣ ‘ପେଜ’ରେ ପ୍ରକାଶନ ପ୍ରଭାବଶାଳୀ ହୋଇପାରୁଛି । ଅର୍ଥାତ ନୂତନ ପ୍ରଯୁକ୍ତି କୌଶଳ ଗୁଜବକୁ ଅଧିକ ଶକ୍ତିଶାଳୀ କରିବାରେ ସମର୍ଥ ହୋଇଥିବା ପ୍ରମାଣିତ।


 

ଗୁଜବ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିପଦ ସୃଷ୍ଟି କରିଥାଏ । ଅନ୍ୟପକ୍ଷରେ ହିଂସା ପ୍ରସାରରେ ମଧ୍ୟ ସହାୟକ ହୋଇଥାଏ । ଏହି ଭଳି କାରଣରୁ ଗୁଜବ ପ୍ରସାର ରୋକିବାକୁ ପ୍ରଶାସନିକସ୍ତରରେ ଉଦ୍ୟମ ହେବା ସ୍ୱାଭାବିକ । ୨୦୧୮ ମାର୍ଚ୍ଚ ମାସରେ କେମ୍ୱ୍ରିଜ ଏନାଲିଟିକାର ପର୍ଦ୍ଦାଫାଶ ତଥା ୨୦୦୯ ଓ ୨୦୧୪ ନିର୍ବାଚ଼ନରେ ଇଣ୍ଟରନେଟ ଉପଭୋକ୍ତାଙ୍କ ରୁଚ଼ି ବିଶ୍ଳେଷଣ କରି ନିର୍ବାଚ଼ନୀ ପ୍ରଚାର ପ୍ରଯୋଜନାଜନିତ ଅଭିଯୋଗ ପରେ ୨୦୧୮ ଏପ୍ରିଲ ପ୍ରଥମ ସପ୍ତାହରେ ଆମ ଦେଶରେ କେନ୍ଦ୍ର ସରକାରଙ୍କ ସୂଚ଼ନା ଓ ପ୍ରସାରଣ ମନ୍ତ୍ରଣାଳୟପକ୍ଷରୁ ‘ଫେକ ନ୍ୟୂଜ’ ପ୍ରସାର ବିପକ୍ଷରେ ସାଂବାଦିକଙ୍କ ନିମନ୍ତେ ଆଚ଼ରଣ ସଂହିତାରେ ଦଣ୍ଡବିଧାନ ଘୋଷଣା ତଥା ପ୍ରତ୍ୟାହାର ଘଟଣା ଗୁରୁତ୍ୱ ବହନ କରିଥାଏ ।


 

ଏକ ଉପକ୍ରମରେ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକ ‘ଆକ୍ରିଡ଼ିଏଟଡ଼ ଜର୍ଣ୍ଣାଲିଷ୍ଟ’ଙ୍କ ନିମନ୍ତେ ଘୋଷିତ ନିର୍ଦ୍ଦେଶାବଳୀ ଗାଇଡ଼ଲାଇନରେ ଏକ ନୂତନ ଧାରା ଯୋଗ କରାଯାଇଥିଲା ।‘ଫେକ ନ୍ୟୂଜ’ ପ୍ରକାଶନର ଅଭିଯୋଗ ହେଲେ ମୁଦ୍ରଣ ଗଣମାଧ୍ୟମ ନିମନ୍ତେ ‘ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ଓ ଟେଲିଭିଜନ ଗଣମାଧ୍ୟମ ନିମନ୍ତେ ‘ନ୍ୟୂଜ ବ୍ରଡ଼କାଷ୍ଟର୍ସ ଏସୋସିଏସନ ଅଫ ଇଣ୍ଡିଆ’ ଅଭିଯୋଗ ଦାଖଲର ୧୫ ଦିନ ମଧ୍ୟରେ ଅନୁସନ୍ଧାନ କରି ସତ୍ୟାସତ୍ୟ ତନଖିବା ପ୍ରାବଧାନ ରଖାଯାଇଥିଲା ।


 

ଅଭିଯୋଗ ଅନୁସନ୍ଧାନ ସମୟସୀମାରେ ସଂପୃକ୍ତ ଅଧିକୃତ ସାମ୍ୱାଦିକଙ୍କ ସ୍ୱୀକୃତି ସ୍ଥଗିତ ‘ସସପେଣ୍ଡ’ ରଖିବା ତଥା ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ପ୍ରଥମ ଥର ପାଇଁ ଛଅମାସ, ଦ୍ୱିତୀୟ ଥର ପାଇଁ ବର୍ଷେ ‘ସସପେଣ୍ଡ’ ଓ ତୃତୀୟଥରରେ ଜୀବନବ୍ୟାପୀ ସ୍ୱୀକୃତି ପ୍ରତ୍ୟାହାର ‘କ୍ୟାନସିଲେସନ’ ଦଣ୍ଡ ବିଧାନ କରାଯାଇଥିଲା । ତେବେ ଏଭଳି ନିର୍ଦ୍ଦେଶନାମା ସାମ୍ୱାଦିକତାର କଣ୍ଠରୋଧ କରୁଥିବା ତଥା ସ୍ଥଳବିଶେଷରେ ଅପବ୍ୟବହାର ଆଶଙ୍କାକୁ ନେଇ ପ୍ରତିବାଦ ପରେ ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ଅପସାରଣ କରାଯାଇଥିଲା ।


 

ଭାରତଭଳି ଏସିଆ ମହାଦେଶର ଅନ୍ୟାନ୍ୟ ରାଷ୍ଟ୍ରରେ ‘ଫେକନ୍ୟୂଜ’ ପ୍ରକାଶକଙ୍କୁ ଦଣ୍ଡବିଧାନ ନିମନ୍ତେ ନୂତନ ଆଇନମାନ ପ୍ରଚଳନର ବ୍ୟବସ୍ଥା କରାଯାଇଛି । ଠିକ୍ ସେହି ସମୟରେ ୨୦୧୮ ଏପ୍ରିଲ ଦ୍ୱିତୀୟ ସପ୍ତାହ ଆରମ୍ଭରେ ମାଲେସିଆର ରାଜା ପାର୍ଲାମେଣ୍ଟରେ ଗୃହୀତ ଗୁଜବ ବିରୋଧି ବିଧେୟକକୁ ସ୍ୱୀକୃତି ଦେଇଥିଲେ । ନୂତନ ଆଇନ ଅନୁଯାୟୀ ‘ଫେକ ନ୍ୟୂଜ’ ପ୍ରକାଶନକାରୀଙ୍କୁ ୬୦ ଲକ୍ଷ ଟଙ୍କା ଜରିମାନା ତଥା ଛଅ ବର୍ଷ ଯାଏଁ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ।ମାଲେସିଆ କିମ୍ୱା ଏହାର ନାଗରିକଙ୍କ ସଂପର୍କରେ ମୋଲେସିଆ କିମ୍ୱା ଦେଶବାହାରେ କୌଣସି ଗଣମାଧ୍ୟମରେ ‘ଫେକ ନ୍ୟୂଜ’ ପ୍ରକାଶନ କ୍ଷେତ୍ରରେ ଏହି ଆଇନ ଉପଯୋଗ ନିମନ୍ତେ ସୁପାରିଶ କରାଯାଇଛି ।


 

ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟରେ ଫିଲିପାଇନ୍ସରେ ୨୦୧୭ରେ ମାନହାନୀ ଆଇନକୁ ଶକ୍ତିଶାଳୀ କରାଯାଇଥିଲା । ୨୦୧୮ ଆରମ୍ଭରେ ସିଙ୍ଗାପୁରରେ ‘ଅନଲାଇନ’ରେ ‘ଫେକନ୍ୟୂଜ’ ପ୍ରକାଶନ ଅଭିଯୋଗ ଅନୁସନ୍ଧାନ କରିବା ନିମନ୍ତେ ଏକ ବିଚ଼ାରକ ମଣ୍ଡଳୀ ଗଠନ ଅନ୍ୟତମ ଉଦାହରଣ ।


 

ପରିବର୍ତ୍ତିତ ପରିବେଶରେ ଜନସାଧାରଣ ସ୍ମାର୍ଟଫୋନ’ଯୋଗେ ଦୈନିକ ତିନିରୁ ଛଅ ଘଣ୍ଟା ଯାଏଁ‘ଅନଲାଇନ’ରେ ଗଣମାଧ୍ୟମ ଆହରଣ କରୁଥିବା ଅବସରରେ ସେଭଳି ମାଧ୍ୟମ ‘ଫେକ ନ୍ୟୂଜ’ ପ୍ରକାଶନ ନିମନ୍ତେ ପ୍ରକୃଷ୍ଟ କ୍ଷେତ୍ର ପାଲଟୁଛି । ଏହି କ୍ଷେତ୍ରରେ ‘ଫେକନ୍ୟୂଜ’ ପ୍ରସାରଣ ରୋକିବା ନିମନ୍ତେ ସରକାରୀ ନୀତିନିୟମ ସୀମିତ ମାତ୍ରାରେ ଫଳପ୍ରଦ ହୋଇପାରେ । ଅପରପକ୍ଷରେ ‘ସୋସିଆଲ ମିଡ଼ିଆ’ ପରିଚ଼ାଳନା କରୁଥିବା ପ୍ରଭାବଶାଳୀ ‘ଅନଲାଇନ’ ବୈଷୟିକ ପ୍ରତିଷ୍ଠାନଗୁଡ଼ିକ ଏଭଳି ପ୍ରସାରଣ ରୋକିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ।


 

ଉଦାହରଣ ସ୍ୱରୂପ ଗୁଗୁଲ ପକ୍ଷରୁ ‘ସର୍ଚ୍ଚ ଇଞ୍ଜିନ’ରେ ‘ଫେକନ୍ୟୂଜ’ ପର୍ଯ୍ୟାୟଭୁକ୍ତ ପାଠ୍ୟ ଓ ଭିଡ଼ିଓ ସଂପର୍କୀତ ସୂଚ଼ନାଗୁଡ଼ିକୁ ପ୍ରକାଶନରେ ପଛୁଆ କରିଦେବା ନୀତି ଅବଲମ୍ୱନ କରିବା ଫଳରେ ସେଭଳି ପୃଷ୍ଠାଗୁଡ଼ିକରେ ପାଠକ ଓ ଦର୍ଶକଙ୍କ ସଂଖ୍ୟା ଆଶାତୀତଭାବେ ହ୍ରାସ ପାଇଥିବା ବିଶ୍ୱାସ କରାଯାଏ । ଅବଶ୍ୟ ଏ ସଂପର୍କରେ ସବିଶେଷ ବିବରଣୀ ପ୍ରକାଶିତ ହୋଇ ନାହିଁ, ତେବେ ଭବିଷ୍ୟତରେ ଏହି ଧରଣର ପ୍ରତିବନ୍ଧକର ବ୍ୟାପକ ବ୍ୟବହାର ‘ଫେକ ନ୍ୟୂଜ’ ପ୍ରସାରଣରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଇପାରେ ।


 

‘ଫେକ ନ୍ୟୂଜ’ ପ୍ରସାରଣ ରୋକିବା ନିମନ୍ତେ ଉପଭୋକ୍ତାମାନଙ୍କ ମଧ୍ୟରେ ସଚ଼େତନତା ସୃଷ୍ଟି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ପ୍ରାଥମିକ ବିଦ୍ୟାଳୟସ୍ତରରୁ ଶିଶୁମାନେ ଇଣ୍ଟରନେଟ ମଞ୍ଚରେ ଉପସ୍ଥିତ ହେଉଥିବା ହେତୁ ବିଦ୍ୟାଳୟ ପାଠ୍ୟକ୍ରମରେ ଗଣମାଧ୍ୟମ ସାକ୍ଷରତା ଅର୍ନ୍ତଭୁକ୍ତ କରାଇବା ସମୟ ଆସି ପହଞ୍ଚିଲାଣି । ସାମାଜିକସ୍ତରରେ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ ଆବଶ୍ୟକ । ନଚ଼େତ ‘ଫେକ ନ୍ୟୂଜ’ଜନିତ ବିଭ୍ରାଟ ରୋକିବା ଅସଂଭବ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୧ ମେ ୨୦୧୮

‘ଫେକ ନିଉଜ’ ଅପସାରଣ 

ଭାରତ ସରକାରଙ୍କ ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟ ପକ୍ଷରୁ ନିଜସ୍ୱ ୱେବସାଇଟରେ ୧୭ ଜାନୁୟାରୀ ୨୦୨୩ରେ ‘ଇନଫରମେସନ ଟେକନୋଲଜି ରୁଲସ ୨୦୨୧’ରେ ସଂଶୋଧନ ନିମନ୍ତେ ଏକ ଚ଼ିଠା ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିରେ ବର୍ଣ୍ଣିତ ବିବରଣୀ ଅନୁଯାୟୀ ‘ପ୍ରେସ ଇନଫରମେସନ ବ୍ୟୁରୋ’ ଅନଲାଇନ ପରିବେଶରେ ‘ଫେକ ନିଉଜ’ ଚ଼ିହ୍ନଟ କରି ଅନଲାଇନ ମଧ୍ୟସ୍ଥି କିମ୍ୱା ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ଅପସାରଣ ନିମନ୍ତେ ନିର୍ଦ୍ଦେଶ ଦେବା ଦାୟିତ୍ୱ ନିର୍ବାହ କରିବ ।

 

ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ମାର୍ଚ୍ଚ ୨୦୨୧ରେ ଇନଫରମେସନ ଟେକନୋଲଜି ରୁଲସ ପ୍ରକାଶ କାଳରେ କେନ୍ଦ୍ର ସରକାର ଅନଲାଇନ ପରିବେଶରେ ଯେ କୌଣସି ବିଷୟ ପ୍ରକାଶନ ବାରଣ କରିବା ‘ବ୍ଳକ’, ବନ୍ଦ କରିବା ‘ଡ଼ିଲିଟ’ ଓ ସଂଶୋଧନ ‘ମୋଡ଼ିଫାଇ’ ଅଧିକାର ଅକ୍ତିଆର କରିଥିଲେ । ଏହି ପଦକ୍ଷେପ ବିରୋଧରେ ଅଦାଲତର ହସ୍ତକ୍ଷେପ ବାରଣ ହୋଇଥିଲା । ସେହି ଅଧିକାର କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଗଣଯୋଗାଯୋଗ ମୁଖପାତ୍ର ‘ପ୍ରେସ ଇନଫରମେସନ ବ୍ୟୁରୋ’କୁ ଦାୟିତ୍ୱ ଦିଆଯାଇଛି । ଉକ୍ତ ସଂସ୍ଥା କେନ୍ଦ୍ର ସରକାରଙ୍କ ନିମନ୍ତେ ଦୀର୍ଘଦିନରୁ ଅନଲାଇନ ପରିବେଶରେ ‘ଫେକ ନିଉଜ’ ଯାଞ୍ଚ କରିବା କାର୍ଯ୍ୟରେ ନିୟୋଜିତ ରହିଆସିଥିଲା । ବର୍ତ୍ତମାନ ‘ଫେକ ନିଉଜ’ ପ୍ରସାରଣ ରୋକିବା ମଧ୍ୟ ପ୍ରେସ ଇନଫରମେସନ ବ୍ୟୁରୋର କାର୍ଯ୍ୟ ପରିସରଭୁକ୍ତ ହେଲା ।

 

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସାମ୍ୱାଦିକ ମହଲରେ ବିରୋଧ କରାଯାଇଥିଲା । ‘ଫେକ ନିଉଜ’ ନିର୍ଦ୍ଧାରଣରେ ସରକାରଙ୍କ ଏକତରଫା ନିଷ୍ପତି ଗ୍ରହଣଯୋଗ୍ୟ ନୁହେଁ ବୋଲି ‘ଦି ଏଡ଼ିଟର୍ସ ଗିଲଡ଼ ଅଫ ଇଣ୍ଡିଆ’ ପକ୍ଷରୁ କୁହାଯାଇଥିଲା । ପ୍ରେସ ଇନଫରମେସନ ବ୍ୟୁରୋ ଏକ ସରକାରୀ ସଂସ୍ଥା ଏବଂ ସେଠାରେ ନିୟୋଜିତ ସରକାରୀ କର୍ମଚାରୀମାନେ ସରକାର ତଥା ଶାସକ ଦଳ ଦ୍ୱାରା ପ୍ରଭାବିତ ହେବା ସ୍ୱାଭାବିକ । ଏହି ଯାଞ୍ଚ ପ୍ରକ୍ରିୟା ସ୍ଥଳବିଶେଷରେ ‘ସେନସରସିପ’ରେ ପରିଣତ ହେବ ।

 

ଚିଠା ସଂଶୋଧନ ବିଜ୍ଞପ୍ତି ପ୍ରକାଶନର ପରଦିନ ୧୮ ଜାନୁୟାରୀ ୨୦୨୩ରେ ‘ଦି ଏଡ଼ିଟର୍ସ ଗିଲଡ଼ ଅଫ ଇଣ୍ଡିଆ’ର ଅଧ୍ୟକ୍ଷ ସୀମା ମୁସ୍ତାଫା ସାଧାରଣ ସଂପାଦକ ଓ କୋଷାଧ୍ୟକ୍ଷଙ୍କ ସ୍ୱାକ୍ଷର ସମ୍ୱଳିତ ପ୍ରତିବାଦରେ ଏକ ପ୍ରସ୍ତାବ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହର କରିବା ନିମନ୍ତେ ଦାବୀ କରାଯାଇଥିଲା । ଦେଶରେ ଅପରାଧିକ ମନୋବୃତ୍ତି ନେଇ ସମ୍ୱାଦ ପ୍ରସାରଣ ଓ ସେହି ଭଳି ସମ୍ୱାଦ ପ୍ରଘଟକାରୀଙ୍କୁ ଦଣ୍ଡିତ କରିବା ନିମନ୍ତେ ବହୁ ଆଇନ ପ୍ରଚଳିତ ଥିବା ସ୍ଥଳେ ଏକ ସରକାରୀ ସଂସ୍ଥାକୁ ଏକଚାଟିଆ ଯାଞ୍ଚ ଅଧିକାର ପ୍ରଦାନ ଅଭିବ୍ୟକ୍ତିରେ ସ୍ୱାଧୀନତା ପ୍ରତି ଆଞ୍ଚ ଆଣିବ ବୋଲି ଦର୍ଶାଯାଇଥିଲା । ‘ଇନଫରମେସନ ଟେକନୋଲଜି ରୁଲସ ୨୦୨୧’ ପ୍ରକାଶ କାଳରେ ମଧ୍ୟ ଗିଲଡ଼ ପକ୍ଷରୁ ବିରୋଧ କରାଯାଇଥିଲା ।

 

ଅନଲାଇନ ସମ୍ୱାଦ ପରିବେଷଣ ଓ ସୋସିଆଲ ମିଡ଼ିଆ ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ମହାମାରୀ-ପର ଅବସ୍ଥାରୁ ତ୍ୱରାନ୍ୱିତ ହୋଇଥିବା ଲକ୍ଷ୍ୟ କରାଯାଏ । ବିଭିନ୍ନ କାରଣ ମଧ୍ୟରେ ପ୍ରଥମତଃ, ଅନଲାଇନ ସାମ୍ୱାଦିକତା ଓ ସୋସିଆଲ ମିଡ଼ିଆରେ ଆବାଳବୃଦ୍ଧାବନିତାଙ୍କ ମଧ୍ୟରେ ପାରସ୍ପରିକ ଯୋଗାଯୋଗ କ୍ରମବିକଶିତ । କାରିଗରୀ-କୌଶଳ ଉପଯୋଗ ନିମନ୍ତେ ଭାରତରେ ସରକାର ଓ ଜନସାଧରଣ ଉଭୟ ପକ୍ଷରୁ ଉତ୍ସାହିତ କରାଯାଉଥିବା ଫଳରେ ବିଭିନ୍ନ ନୂତନ ଉଦ୍ଭାବନ ସର୍ବସାଧାରଣରେ ପ୍ରସାର ଲାଭ କରୁଛି । ସ୍ଥଳବିଶେଷରେ ଅନଲାଇନ ପରିବେଶ ଦୁରୋପଯୋଗ ହେଉଥିବା କିମ୍ୱା ଦୁରୋପଯୋଗ ଆଶଙ୍କାରେ ପ୍ରଚଳିତ ନୀତିନିୟମର ପରିବର୍ତ୍ତନ ଜରୁରୀ । ଦେଶର ନ୍ୟାୟାଳୟଗୁଡ଼ିକ ଅନଲାଇନ ଅପରାଧିକ ମାମଲାଗୁଡ଼ିକ ବିଚାରକାଳରେ ସରକାରଙ୍କୁ ନିୟନ୍ତ୍ରଣ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

 

ଦ୍ୱିତୀୟତଃ, ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ରରେ କେନ୍ଦ୍ର ସରକାର ଅନଲାଇନ କାରବାର ନିୟନ୍ତ୍ରଣ ଦାୟିତ୍ୱ ନିର୍ବାହ କରୁଥିବା ସ୍ଥଳେ ଚ଼ତୁରତାର ସହ ନୂତନ ଆଇନ ପ୍ରଣୟନ ନକରି ପୂର୍ବ ପ୍ରଚଳିତ ଆଇନ ପାଳନ ନିମନ୍ତେ ନିୟମାବଳୀ ସଂଯୋଗ କରିଚାଲିଛନ୍ତି । ଫଳରେ ସରକାର ନିୟନ୍ତ୍ରଣର କ୍ଷମତା ହାସଲ କରିବା ସଂଭବ ଥିବା ସ୍ଥଳେ କେବଳ ନିୟମ ସଂଯୋଗକୁ ନେଇ ଅସନ୍ତୁଷ୍ଟଙ୍କ ବିରୋଧ ତୀବ୍ର ହେବା ଆଶଙ୍କା ନଥାଏ । ‘ଇନଫରମେସନ ଟେକନୋଲଜି ଆକ୍ଟ ୨୦୦୦’କୁ ଆଧାର କରି ‘ଇନଫରମେସନ ଟେକନୋଲଜି ରୁଲସ ୨୦୨୧’ ପ୍ରଣୀତ ହୋଇଥିଲା । ଏହି ନିୟମାବଳୀ ପ୍ରଚଳନରେ ସରକାର କ୍ଷମତା ଉପଭୋଗର ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ କରିପାରିଥିଲେ । ସେହି କ୍ଷମତା କାର୍ଯ୍ୟକାରୀ କରିବା ନିମନ୍ତେ ସରକାରୀ କଳକୁ ନିୟୋଜିତ କରିବାରେ ଆପତ୍ତି ଗ୍ରହଣୀୟ ନହୋଇପାରେ ।

 

ତୃତୀୟତଃ, ଭାରତରେ ନାଗରିକସମାଜ ସଶକ୍ତ ନୁହେ । ‘ଫେକ ନିଉଜ’ ଏକ ସମସ୍ୟା, ଏଥିରେ ସମସ୍ତେ ଏକମତ ହେବେ । ତେବେ ଏହି ସମସ୍ୟାର ସମାଧାନ ନିମନ୍ତେ ଗଣମାଧ୍ୟମ ମଞ୍ଚଗୁଡ଼ିକର ଶୀର୍ଷ ସଂଗଠନଗୁଡ଼ିକ ପକ୍ଷରୁ ଫଳପ୍ରଦ ଉଦ୍ୟମ ହୋଇପାରିଲା ନାହିଁ । ଆତ୍ମନିୟନ୍ତ୍ରଣ ସୁବିଧା ସୁଯୋଗ ଉପଭୋଗ ନିମନ୍ତେ ଗଣମାଧ୍ୟମ ମଞ୍ଚଗୁଡ଼ିକ ଅବହେଳା କରିଚାଲିଥିଲେ । ଫଳରେ ସରକାରୀ ପଦକ୍ଷେପର ବିରୋଧ ତୀବ୍ର ହେବା କଷ୍ଟକର ।

 

ଆନ୍ତର୍ଜାତିକ ଗଣମାଧ୍ୟମ ପରିବେଶ ଅନୁଧ୍ୟାନ କଲେ ଭାରତରେ ୨୦୨୪ ସାଧାରଣ ନିର୍ବାଚ଼ନରେ ‘ଫେକ ନିଉଜ’ ପ୍ରଭାବଶାଳୀ ହେବା ଅନୁମାନ କରାଯାଏ । ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ‘ଫେକ ନିଉଜ’ର ଭୂମିକା ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନ ୨୦୨୨ରେ ପ୍ରତିଫଳିତ ହୋଇଥିବା ଉଦବେଗର ବିଷୟ । ବ୍ରାଜିଲର ଘଟଣାବଳୀ ସହ ଭାରତର ତୁଳନତ୍ମକ ବିବରଣୀ ରାଜନୈତିକ ପ୍ରେକ୍ଷାପଟ୍ଟରେ ‘ଫେକ ନିଉଜ’ର ଗୁରୁତ୍ୱ ପ୍ରତିପାଦିତ କରିଥାଏ ।

 

ବ୍ରାଜିଲରେ ୨୦୨୨ ଅକ୍ଟୋବର ମାସରେ ଆୟୋଜିତ ରାଷ୍ଟ୍ରପତି ନିର୍ବାଚ଼ନରେ ‘ଫେକ ନିଉଜ’ ପ୍ରସାର ରାଜନୀତିକ ଧୃବୀକରଣ ‘ପଲିଟିକାଲ ପୋଲାରାଜଜେସନ’ର ପ୍ରମୁଖ କାରଣ ରୂପେ ଗଣମାଧ୍ୟମ ବିଶେଷଜ୍ଞମାନେ ଚ଼ିହ୍ନଟ କରନ୍ତି । ବ୍ରାଜିଲରେ ପ୍ରତି ଚାରି ବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚ଼ନ ଅନୁଷ୍ଠିତ ହୁଏ । ଗତ ୨୦୧୮ ନିର୍ବାଚନରୁ ସେଠାରେ ‘ଫେକ ନିଉଜ’ର ପ୍ରଭାବ ପରିଲକ୍ଷିତ ହୋଇଥିଲା । ତେବେ ୨୦୨୨ ନିର୍ବାଚନ ଅବସରରେ ତତ୍କାଳୀନ ରାଷ୍ଟ୍ରପତି ନରମାଂସ ଭକ୍ଷଣ ଓ ଶିଶୁ-ଯୌନାଚାର ଭଳି କାର୍ଯ୍ୟରେ ସଂପୃକ୍ତ ଥିବା, ପ୍ରମୁଖ ବିରୋଧି ତଥା ପରବର୍ତ୍ତୀ ରାଷ୍ଟ୍ରପତି ବାଳିକା ପ୍ରାଥମିକ ବିଦ୍ୟାଳୟରେ ଶୌଚାଳୟଗୁଡ଼ିକୁ ସର୍ବସାଧାରଣଙ୍କ ବ୍ୟବହାରଲାଗି ଉନ୍ମୁକ୍ତ କରିବା ଯୋଜନା ବିଚାର କରୁଥିବା ତଥା ବାମପନ୍ଥୀ ପ୍ରାର୍ଥୀ ନିର୍ବାଚିତ ହେଲେ ଚର୍ଚ୍ଚଗୁଡ଼ିକୁ ବନ୍ଦ କରିଦେବେ ବୋଲି ଗୁଜବ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

 

ରାଷ୍ଟ୍ରୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ‘ଫେକ ନିଉଜ’ ପ୍ରସାର ରୋକିବା ଲାଗି ନିର୍ବାଚ଼ନ ପୂର୍ବରୁ ସୋସିଆଲ ମିଡ଼ିଆ ମଧ୍ୟସ୍ଥିମାନଙ୍କୁ ସରକାରୀସ୍ତରରେ ଚ଼ିହ୍ନିତ ‘ଫେକ ନିଉଜ’ଗୁଡ଼ିକୁ ନିର୍ଦ୍ଦେଶ ପାଇବାର ମାତ୍ର ଘଣ୍ଟାକ ମଧ୍ୟରେ ଅପସାରଣ କରିବା ନିମନ୍ତେ ନିୟମ ଘୋଷଣା କରିଥିଲେ । ନିର୍ଦ୍ଦେଶ ଅବମାନନାଲାଗି କୋଡ଼ିଏ ଲକ୍ଷ ଟଙ୍କା ଯାଏଁ ଜରିମାନା ଏବଂ ୨୪ ଘଣ୍ଟା ପାଇଁ ମଞ୍ଚ ବନ୍ଦ କରିଦେବା ପ୍ରାବଧାନ ରଖାଯାଇଥିଲା ।

 

ବ୍ରାଜିଲ ୨୦୧୮ ଓ ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ‘ଫେକ ନିଉଜ’ ପ୍ରସାର ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୪, ୨୦୧୬ ଓ ୨୦୨୦ ରାଷ୍ଟ୍ରପତି ନିର୍ବାଚ଼ନରେ ‘ଫେକ ନିଉଜ’ ପ୍ରସାର ଧାରା ପ୍ରତିଫଳିତ ହୋଇଥିଲା । ସମୀକ୍ଷକମାନଙ୍କ ମତରେ ଯେଉଁ ରାଷ୍ଟ୍ରଗୁଡ଼ିକରେ ଅଭିମତ ପ୍ରକାଶରେ ସ୍ୱାଧୀନତା ପ୍ରଚଳିତ ଏବଂ ନୂତନ ପ୍ରଯୁକ୍ତି କୌଶଳ ବ୍ୟବହାରକୁ ଉତ୍ସାହିତ କରାଯାଉଛି, ସେହି ସବୁ ଅଞ୍ଚଳରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରାଜିଲରେ ପରିଲକ୍ଷିତ ‘ଫେକ ନିଉଜ’ ସମସ୍ୟା ଉପୁଜିବା ସୁସ୍ପଷ୍ଟ । ଫ୍ରାନ୍ସ, ବ୍ରିଟେନ ଓ ଜର୍ମାନୀ ରାଷ୍ଟ୍ରପତି ନିର୍ବାଚନରେ ସୋସିଆଲ ମିଡ଼ିଆ ପଲିଟିକାଲ ପୋଲରାଇଜେସନର ଅନ୍ୟତମ କାରଣ ରୂପେ ଚ଼ିହ୍ନିତ ହୋଇଥାଏ ।

 

ବୈଦେଶିକ ରାଷ୍ଟ୍ରଗୁଡ଼ିକରେ ସୃଷ୍ଟ ପରିସ୍ଥିତି ଭାରତରେ ୨୦୨୪ ସାଧାରଣ ନିର୍ବାଚନରେ ଆଶଙ୍କା କରି ସରକାରୀସ୍ତରରେ ‘ଫେକ ନିଉଜ’ ପ୍ରସାର ସଂଭାଳିବା ନିମନ୍ତେ ନୂତନ ଆଇନ ପ୍ରଣୟନ ପରିବର୍ତ୍ତେ ପ୍ରଚଳିତ ଆଇନଗୁଡ଼ିକୁ କଡ଼ାକଡ଼ି ପାଳନ କରିବା ନିମନ୍ତେ ୨୦୨୧ ଆରମ୍ଭରୁ କ୍ରମାଗତଭାବେ ନିୟମାବଳୀ ବିଜ୍ଞପ୍ତ ହେଉଥିବା ଲକ୍ଷ୍ୟ କରାଯାଏ । ବିରୋଧୀମାନେ ଏହାକୁ ପ୍ରାକ-ଯାଞ୍ଚ ‘ପ୍ରି-ସେନସରସିପ’ ଆଖ୍ୟା ଦେଉଛନ୍ତି । ଏଥିରେ ଯଥାର୍ଥତା ଥିଲେ ହେଁ, ‘ଫେକ ନିଉଜ’ ପ୍ରତିରୋଧ କରିବା ନିମନ୍ତେ ବେସରକାରୀସ୍ତରରେ ଫଳପ୍ରଦ ବ୍ୟବସ୍ଥା ହୋଇପାରୁନଥିବା ହେତୁ ସମସ୍ୟାର ସମାଧାନ ନିମନ୍ତେ ବିକଳ୍ପ ପନ୍ଥା ଅଭାବ । ଏହି ପରିବେଶରେ ଗଣମାଧ୍ୟମ ସାକ୍ଷରତା ପ୍ରସାର ଏକ ମାତ୍ର ବିକଳ୍ପ । ଏଥିଲାଗି ସରକାରୀ ଓ ବେସରକାରୀସ୍ତରରେ ବ୍ୟାପକ ଉଦ୍ୟମ ଆବଶ୍ୟକ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୭ ଜାନୁୟାରୀ ୨୦୨୩

ତଥ୍ୟ :

 

Concern over ‘fake news’ rules. The Telegraph  (Kolkata Edition). January 19, 2023

 

Jeantet, Diane. Brazilian voters bombarded with misinformation before vote. apnews.com. Oct 26, 2022

 

https://apnews.com/article/jair-bolsonaro-caribbean-social-media-brazil-b75e51f515b0a708800198afa1b8601d

ସାମ୍ୱାଦିକତାରେ ବିଶ୍ୱସନୀୟତା ସଂକଟ

ସାମ୍ୱାଦିକତାରେ ବିଶ୍ୱସନୀୟତା ସଂକଟ ୨୦୨୦ ଗଣମାଧ୍ୟମ ସମସ୍ୟା ବିତର୍କରେ ଅନ୍ୟତମ ପ୍ରମୁଖ ପ୍ରସଙ୍ଗ । ବିଶ୍ୱବ୍ୟାପୀ ମୁଦ୍ରିତ ସମ୍ୱାଦପତ୍ରଠାରୁ ଆରମ୍ଭ କରି ଅନଲାଇନ-ନିଉଜ ପୋର୍ଟାଲ ଯାଏଁ ବିଭିନ୍ନ ସମ୍ୱାଦ ଉତ୍ପାଦକୁ ପାଠକ ଓ ଦର୍ଶକମାନେ ଏଣିକି ପୂର୍ଣ୍ଣ ବିଶ୍ୱାସ କରିବାରେ ପଛଘୁଞ୍ଚା ଦେଉଥିବା ଗବେଷଣାରୁ ଜଣାଯାଏ । ବ୍ରିଟେନର ‘ରଏଟର ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ର ୨୦୨୦ ବାର୍ଷିକ ଗଣମାଧ୍ୟମ ପୂର୍ବାନୁମାନ ରିପୋର୍ଟ ପ୍ରସ୍ତୁତି ନିମନ୍ତେ ୩୨ ଗୋଟି ରାଷ୍ଟ୍ରର ୪୮ ଜଣ ସମ୍ୱାଦ ମଞ୍ଚର ସମ୍ପାଦକ, ୩୦ ଜଣ ପରିଚାଳକ ସମେତ ୨୩୩ ଜଣ ବୃତ୍ତିଧାରୀଙ୍କ ମତାମତ ସଂଗୃହୀତ ହୋଇଥିଲା । ସାମ୍ୱାଦିକତାରେ ବିଶ୍ୱସନୀୟତା ହ୍ରାସ ଓ ପାଠକମାନେ ସମ୍ୱାଦ ଆହରଣରୁ ଦୂରେଇ ଯାଉଥିବା ପ୍ରବାହରେ ସର୍ବେକ୍ଷଣରେ ଅଂଶଗ୍ରହଣକାରୀମାନେ ଉଦବେଗ ପ୍ରକାଶ କରିଥିଲେ ।


 

ପାଶ୍ଚାତ୍ୟ ଭୂଖଣ୍ଡରେ ଡ଼ିଜିଟାଲ ମଞ୍ଚରେ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓ ୟୁରୋପୀୟ ମେଣ୍ଟରୁ ବ୍ରିଟେନର ଅପସାରଣ ‘ବ୍ରେକ୍ସିଟ’ ଜନମତ ଅବସରରେ ଅସତ୍ୟ ସମ୍ୱାଦ ‘ଫେକନିଉଜ’ ବିଭ୍ରାଟ ସୃଷ୍ଟି କରିଥିବା ନେଇ ଅବଗତ ହେବାପରେ ଉପଭୋକ୍ତା ସମ୍ୱାଦଶିଳ୍ପର କାର୍ଯ୍ୟଶୈଳୀରେ କ୍ଷୁବ୍ଧ ହୋଇଥିଲେ । ଅସତ୍ୟ ସମ୍ୱାଦ ପ୍ରସାରକୁ ପ୍ରତିହତ କରିବା ନିମନ୍ତେ ତଥ୍ୟ ସମୀକ୍ଷା ‘ଫେକ୍ଟଚେକ’ ପଦ୍ଧତି ଆରମ୍ଭ କରାଯାଇଥିଲା । ତେବେ ଏହି ଉଦ୍ୟମ ଫଳବତୀ ହୋଇପାରି ନଥିବା ସାଧାରଣବର୍ଗରେ ବିଶ୍ୱାସ । ଅସତ୍ୟ ସମ୍ୱାଦ ପ୍ରସାରକୁ ରୋକିବା ନିମନ୍ତେ ବିକଳ୍ପ ପଦକ୍ଷେପ ଗ୍ରହଣ ସପକ୍ଷରେ ସର୍ବେକ୍ଷଣରେ ଅଂଶଗ୍ରହଣକାରୀ ମତ ପୋଷଣ କରିଥିଲେ ।


 

ଇଣ୍ଟରନେଟ ଓ ସୋସିଆଲ ମିଡ଼ିଆର ଦୁରୋପଯୋଗ ନିୟନ୍ତ୍ରଣ କରିବା ନିମନ୍ତେ ୨୦୨୦ରେ ବିଭିନ୍ନ ରାଷ୍ଟ୍ରର ସରକାର ଏବଂ ପ୍ରସାରଣ ମଞ୍ଚ ପରିଚାଳକମାନଙ୍କ ଦ୍ୱାରା ବ୍ୟାପକ ନୀତିନିୟମ ପ୍ରଣୟନ ଆଶା କରାଯାଉଥିଲେ ସୁଦ୍ଧା ସେଗୁଡ଼ିକ ଫଳପ୍ରଦ ହେବନାହିଁ ବୋଲି ସର୍ବେକ୍ଷଣରେ ଅଂଶ ଗ୍ରହଣକାରୀଙ୍କ ମଧ୍ୟରୁ ୫୬ ପ୍ରତିଶତ ମତବ୍ୟକ୍ତ କରିଥିଲେ । କେବଳ ୧୮ ପ୍ରତିଶତ ଆଶାବାଦୀ ଥିବା ଜଣାଯାଇଥିଲା ।


 

ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ମୋବାଇଲ ଫୋନ ଓ ସୋସିଆଲ ମିଡ଼ିଆର ପ୍ରସାର ଉପଭୋକ୍ତାଙ୍କ ମଧ୍ୟରେ ସମ୍ୱାଦ ଆହରଣରେ ଚଞ୍ଚଳମନ‘ ଫ୍ରେଗମେଣ୍ଟଡ଼ ଏଟେନସନ’ ପ୍ରସାର, ବିଜ୍ଞାପନ ଆଶ୍ରିତ ବ୍ୟାବସାୟିକ ମଡ଼େଲରେ ବ୍ୟାଘାତ ଏବଂ ସମ୍ୱାଦ ପ୍ରଯୋଜନାରେ ବୃତ୍ତିଧାରୀ ସମ୍ପାଦକମାନଙ୍କ ଭୂମିକା ଖର୍ବରେ ପର୍ଯ୍ୟବସିତ ହୋଇଥିଲା । ଡ଼ିଜିଟାଲ ମଞ୍ଚରେ କାର୍ଯ୍ୟରତ ସମ୍ପାଦକ ଓ ପରିଚାଳକମାନଙ୍କ ମତରେ ତୃତୀୟ ଦଶକରେ ପାରମ୍ପରିକ ଗଣମାଧ୍ୟମ ପରିବେଶର ପୁନଃବିନ୍ୟାସ କରି ବିଶ୍ୱସନୀୟତା ସ୍ଥାପନ ପାଇଁ ଉଦ୍ୟମ ଅବ୍ୟାହତ ରହିବ । ଅବଶ୍ୟ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ କାରିଗରୀ କୌଶଳ ଉପଯୋଗ ସମ୍ୱାଦ ପରିବେଷଣ ଓ ବିଜ୍ଞାପନ ପ୍ରଦର୍ଶନରେ ନୂତନ ସମସ୍ୟାମାନ ସୃଷ୍ଟି କରିପାରେ । ଇଣ୍ଟରନେଟ ମଞ୍ଚରେ ବ୍ୟାପକ ତଥ୍ୟ ‘ବିଗ ଡ଼ାଟା’ ଓ ଅଡ଼ିଓ ପ୍ରାଧାନ୍ୟତା ‘ଭଏସ-ବେସଡ଼ ଇଣ୍ଟରଫେସ’ ଭଳି ପ୍ରଯୁକ୍ତି ବିଦ୍ୟା ଉପଭୋକ୍ତାଙ୍କଲାଗି ସମ୍ୱାଦ ଆହରଣରେ ନୂତନ ଅନୁଭୂତିର କାରଣ ପାଲଟିପାରେ ।


 

କ୍ଳାଉଡ଼ କମ୍ପ୍ୟୁଟିଂରେ ଅସୀମିତ ସମ୍ୱାଦ ଓ ତଥ୍ୟର ଉପସ୍ଥିତିରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ପାଠକମାନଙ୍କୁ ସେମାନଙ୍କ ରୁଚି ଓ ଆବଶ୍ୟକତା ମୁତାବକ ସ୍ୱୟଂକ୍ରିୟ ପଦ୍ଧତିରେ ପାଠ୍ୟ, ଚ଼ିତ୍ର ଓ ଭିଡ଼ିଓ ଯୋଗାଇବାରେ ସମର୍ଥ ହୋଇଥାଏ । ଏହିଭଳି ସୁବିଧା ସୁଯୋଗ ବ୍ୟବହାରରେ ସମ୍ୱାଦ ମଞ୍ଚର ସମ୍ପାଦକୀୟ ବିଭାଗଗୁଡ଼ିକ ଉପକୃତ ହୋଇପାରିବେ । ୨୦୨୦ରେ ଏଦିଗରେ ଅଗ୍ରଗତି ନେଇ ୫୩ ପ୍ରତିଶତ ସର୍ବେକ୍ଷଣରେ ଅଂଶଗ୍ରହଣକାରୀ ଆଶାବାଦୀ ଥିଲେ । ସମ୍ୱାଦ ଉତ୍ପାଦ ବିତରଣରେ ୩୫ ପ୍ରତିଶତ ଉଭୟ ଗ୍ରାହକ ଚାନ୍ଦା ଓ ବିଜ୍ଞାପନକୁ ଗୁରୁତ୍ୱ ଦେଇଥିବା ସ୍ଥଳେ ୧୪ ପ୍ରତିଶତ କେବଳ ବିଜ୍ଞାପନକୁ ଆୟର ମୁଖ୍ୟ ସୂତ୍ର ଅଭିହିତ କରିଥିଲେ ।


 

ରଏଟର ଇନଷ୍ଟିଟିଉଟର ୨୦୨୦ ଗଣମାଧ୍ୟମ ପୁର୍ବାନୁମାନ ରିପୋର୍ଟରୁ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକ ଗଣମାଧ୍ୟମ ଶିଳ୍ପର ସମ୍ଭାବ୍ୟ ଭବିଷ୍ୟତ ସଂପର୍କରେ କେତେଗୋଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିପାରିବେ । ପ୍ରଥମତଃ, ଡ଼ିଜିଟାଲ ମଞ୍ଚ କ୍ରମଶଃ ଶକ୍ତିଶାଳୀ ହେବାରେ ଲାଗିଛି ଏବଂ ଓଡିଶାରେ ନିକଟ ଭବିଷ୍ୟତରେ ମୁଦ୍ରିତ ସମ୍ୱାଦପତ୍ରକୁ ହଟାଇବା ସମ୍ଭବ ନଥିଲେ ହେଁ ଓଡ଼ିଶାରେ ମଧ୍ୟ ଡ଼ିଜିଟାଲ ମଞ୍ଚ ଲୋକପ୍ରିୟତା ହାସଲ କରିବ । ଦ୍ୱିତୀୟତଃ, ଡ଼ିଜିଟାଲ ମଞ୍ଚରେ ଅତ୍ୟାଧୁନିକ କାରିଗରୀ କୌଶଳ ପ୍ରୟୋଗ ଏହାକୁ ଉପଭୋକ୍ତାଙ୍କ ଲାଗି ଅଧିକ ବ୍ୟବହାରଯୋଗ୍ୟ ଗଢ଼ି ତୋଳିବ । ତୃତୀୟତଃ, ସରକାରୀ ଓ ବ୍ୟାବସାୟିକ ବିଜ୍ଞାପନ ଆୟ ସହିତ ଗ୍ରାହକ ଚାନ୍ଦା ଯୋଡ଼ିବାକୁ ଉଦ୍ୟମ ଆରମ୍ଭ କରିବାକୁ ପଡ଼ିବ । କାରଣ ବ୍ୟବସାୟରେ ହଠାତ ପଟ୍ଟପରିବର୍ତ୍ତନ ସର୍ବଦା ବିପଦଶଙ୍କୁଳ । ଚ଼ତୁର୍ଥତଃ, ଡ଼ିଜିଟାଲ ମଞ୍ଚ ମୂଳରୁ ବିଶ୍ୱସନୀୟତା ହରାଇ ବସିଥିବା ସ୍ଥଳେ ମୁଦ୍ରିତ ସମ୍ୱାଦ ଶିଳ୍ପ ତାହାର ଅନୁସରଣରେ ଅସତ୍ୟ ସମ୍ୱାଦ ପ୍ରକାଶନରୁ ନିଜକୁ ମୁକ୍ତ ରଖିବାଲାଗି ଉଦ୍ୟମ କରିବା ଆବଶ୍ୟକ । ପଞ୍ଚମତଃ, ଉଭୟ ମୁଦ୍ରିତ ଓ ଡ଼ିଜିଟାଲ ସମ୍ୱାଦ ମଞ୍ଚ କ୍ଷେତ୍ରରେ ଗ୍ରାହକଚାନ୍ଦା ଆଶ୍ରିତ ମଡ଼େଲ ସର୍ବାପେକ୍ଷା ବ୍ୟାବସାୟିକ ନିରାପତ୍ତା ପ୍ରଦାନ କରୁଥିବା ହେତୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଗୁଣାତ୍ମକ ସମ୍ୱାଦିକତା ପ୍ରତି ଧ୍ୟାନ ଦେବା ବୁଦ୍ଧିମତ୍ତାର ପରିଚୟ ଦେବ ।


 

 

ସାମ୍ୱାଦିକତାରେ ବିଶ୍ୱସନୀୟତା ସଂକଟ ସଂପର୍କରେ ସାମ୍ୱାଦିକତା ବୃତ୍ତିଧାରୀଙ୍କ ସହ ଉପଭୋକ୍ତାମାନେ ମଧ୍ୟ ପ୍ରଭାବିତ ହୋଇଥିବା ଗବେଷଣାରୁ ଜଣାଯାଏ । ଯୁକ୍ତରାଷ୍ଟ୍ର ଆମେରିକାଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ନାଗରିକମାନେ ଦୈନିକ ହାରାହାରି ୧୨ ଘଣ୍ଟା ଯାଏଁ ଗଣମାଧ୍ୟମ ସହ ସଂପୃକ୍ତ ରହୁଥିବା ସ୍ଥଳେ କ୍ରମାଗତଭାବେ ତତ୍କାଳ ସମ୍ୱାଦ ସଂସ୍ପର୍ଶରେ ଆସିବା ସ୍ୱାଭାବିକ । ଏହି ପରିପ୍ରେକ୍ଷୀରେ ସାମ୍ୱାଦିକତାରେ ବିଶ୍ୱସନୀୟତା ହ୍ରାସ ଜନଜୀବନକୁ ପ୍ରଭାବିତ କରୁଥିବାରୁ ଉଦବେଗ ପ୍ରକାଶ ପାଇଥାଏ ।‘ନାଇଟ ଫାଉଣ୍ଡେସନ’ ପକ୍ଷରୁ ଗବେଷଣା ସଂସ୍ଥା ‘ଗେଲାପ’ ଆନୁକୂଲ୍ୟରେ ୨୦୧୭ରେ ଆୟୋଜିତ ଅନ୍ୟ ଏକ ସର୍ବେକ୍ଷଣରେ ୧୯ ହଜାର ମାର୍କିନ-ନାଗରିକଙ୍କ ସାମ୍ୱାଦିକତାରେ ବିଶ୍ୱସନୀୟତା ଏବଂ ଗଣତନ୍ତ୍ର ସଂପର୍କରେ ମତାମତ ଏକତ୍ରୀତ କରାଯାଇଥିଲା । ଏଥିରୁ ସମକାଳୀନ ସାମ୍ୱାଦିକତାରୁ ନାଗରିକଙ୍କ ବିଶ୍ୱାସ ତୁଟିଆସୁଥିବା ସୂଚିତ ହୋଇଥିଲା ।


 

ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ୪୩ ପ୍ରତିଶତ ମାର୍କିନ ନାଗରିକ ସାଂବାଦିକତା ଉପରୁ କ୍ରମଶଃ ବିଶ୍ୱାସ ହରାଉଥିବା ସ୍ଥଳେ ମାତ୍ର ୩୩ ପ୍ରତିଶତ ସାଂବାଦିକତାକୁ ବିଶ୍ୱାସଯୋଗ୍ୟ ମନେ କରିଥାନ୍ତି । ସମ୍ୱାଦ ସହ ଅଭିମତ ମିଶି ରହୁଥିବା ନେଇ ୬୬ ପ୍ରତିଶତ ଅଭିଯୋଗ ବାଢ଼ିଥିଲେ । ଏହି ବର୍ଗରେ ୧୯୮୪ରେ ଆୟୋଜିତ ପୂର୍ବ ସର୍ବେକ୍ଷଣରେ ୪୨ ପ୍ରତିଶତ ହିସାବ କରାଯାଇଥିଲା । ପ୍ରସାରିତ ସମ୍ୱାଦର ସତ୍ୟତା ପରଖିବା କଷ୍ଟକର ହୋଇପଡୁଥିବା ୫୮ ପ୍ରତିଶତ ସ୍ୱୀକାର କରିଥିଲେ । ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ଦଶଜଣ ନାଗରିକଙ୍କ ମଧ୍ୟରୁ ଆଠ ଜଣ ଗଣତନ୍ତ୍ରର ସୁରକ୍ଷାରେ ସାମ୍ୱାଦିକତାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବିଚାର କରୁଥିବା ହିସାବ କରାଯାଇଥିଲା ।


 

ମାର୍କିନ ସାମ୍ୱାଦିକତା, ପାଠକ ଓ ଦର୍ଶକ ମଣ୍ଡଳୀ ସଂପର୍କୀତ ତଥ୍ୟ ଅନ୍ୟତ୍ର, ମୁଖ୍ୟତଃ ଓଡ଼ିଶା ଲାଗି ପ୍ରଯୁଜ୍ୟ ନହେଲେ ହେଁ ସ୍ଥାନୀୟ ପରିବେଶରେ ଗବେଷଣା ଅଭାବ କାରଣରୁ ଅନ୍ତତଃପକ୍ଷେ ସୂଚ଼କାଙ୍କ ଭାବେ ବିଶ୍ୱାସ କରାଯାଇପାରେ । ସାମ୍ୱାଦିକତାରେ ବିଶ୍ୱସନୀୟତା ବଜାୟ ରଖିବା ନିମନ୍ତେ ମୁଦ୍ରଣ, ଟେଲିଭିଜନ ଓ ଇଣ୍ଟରନେଟ ମଞ୍ଚର ସମ୍ପାଦକୀୟ ନୀତିରେ ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ।


 

ପ୍ରଥମତଃ ସମ୍ୱାଦ, ଅଭିମତ ଓ ବିଜ୍ଞାପନର ଦୃଶ୍ୟମାନ ବିଭକ୍ତିକରଣ ‘ମାର୍କେବଲ ଡ଼ିଷ୍ଟେନସିଏସନ’ କରିବାକୁ ପଡ଼ିବ । ସାମ୍ୱାଦିକତା ଉତ୍ପାଦରେ ଅଭିମତ ଓ ବିଜ୍ଞାପନ ଅବିଚ୍ଛେଦ୍ୟ, କିନ୍ତୁ ସମ୍ୱାଦ ଆଙ୍ଗୀକରେ ସାମିଲ କରିବା ନୀତିଗତ ଦୃଷ୍ଟିରୁ ସର୍ବଦା ବର୍ଜନୀୟ । ଅଭିମତ ଓ ବିଜ୍ଞାପନ ପ୍ରକାଶନ କାଳରେ ସେଗୁଡ଼ିକର ବର୍ଗ ସୂଚ଼ିତ ହେବା ଆବଶ୍ୟକ । ଫଳରେ ପାଠକ ଓ ଦର୍ଶକମାନେ କେଉଁଟି ସମ୍ୱାଦ, କେଉଁଟି ଅଭିମତ ଓ କେଉଁଟି ବିଜ୍ଞାପନ ସ୍ୱଷ୍ଟରୂପେ ଜାଣିପାରିବେ ଏବଂ ସମ୍ୱାଦ ସୂତ୍ର ପ୍ରତି ସେମାନଙ୍କ ବିଶ୍ୱାସ ସ୍ଥାପିତ ହେବ ।


 

ଦ୍ୱିତୀୟତଃ, ସମ୍ୱାଦ ପ୍ରକାଶନ କାଳରେ ସ୍ଥଳବିଶେଷରେ ଭୂଲଭଟ୍ଟକା ରହିଯାଇଥାଏ । ଏହା ସ୍ୱାଭାବିକ । ତେବେ ସମ୍ୱାଦ ଉତ୍ପାଦଗୁଡ଼ିକ ପ୍ରକାଶ କାଳରେ ପୂର୍ବ ପ୍ରକାଶିତ ବିଷୟଜନିତ ଭୂଲଭଟ୍ଟକା ସଂଶୋଧନଗୁଡ଼ିକୁ ମଧ୍ୟ ନିୟମିତ ପ୍ରକାଶ କରିବା ଉପଭୋକ୍ତାଙ୍କ ବିଶ୍ୱସନୀୟତା ବୃଦ୍ଧିରେ ସାହାଯ୍ୟ କରିବ । ପ୍ରକାଶିତ ସମ୍ୱାଦରେ ତୃଟିବିଚ୍ୟୁତିକୁ ସାମ୍ୱାଦିକ, ପାଠକ କିମ୍ୱା ସମ୍ୱାଦରେ ଚର୍ଚ୍ଚିତ ସୂତ୍ରମାନେ ‘ନିଉସ ସୋର୍ସେସ’ ଚ଼ିହ୍ନଟ କରିପାରନ୍ତି । ଏକ୍ଷେତ୍ରରେ ସତ୍ୟର ଉଦଘାଟନ ନିମନ୍ତେ ସମସ୍ତଙ୍କୁ ସମାନ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।


 

ତୃତୀୟତଃ, ସାମ୍ୱାଦିକମାନେ କିପରି ପାଠକ ଓ ଦର୍ଶକମାନଙ୍କ ସହ ମୁହାଁମୁହିଁ ‘ଫେସ-ଟୁ-ଫେସ’ ଆଲୋଚ଼ନାରେ ଅଂଶଗ୍ରହଣ କରିପାରିବେ ସେଦିଗରେ ସୁବିଧା ସୁଯୋଗ ସମ୍ୱାଦ ପ୍ରକାଶକମାନଙ୍କ ପକ୍ଷରୁ ଆୟୋଜନ ତାତ୍ପର୍ଯ୍ୟପୂର୍ଣ୍ଣ । ଏତଦ୍ୱାରା ଉପଭୋକ୍ତାଙ୍କ ସାମ୍ୱାଦିକ ଓ ସାମ୍ୱାଦିକତା ପ୍ରତି ବିଶ୍ୱାସ ବୃଦ୍ଧିରେ ସହାୟକ ହେବ । ପାଶ୍ଚାତ୍ୟ ଭୂଖଣ୍ଡରେ ଆୟୋଜିତ ସର୍ବେକ୍ଷଣରୁ ଜଣାଯାଏ ଯେ ସମ୍ୱାଦ ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ୨୧ ପ୍ରତିଶତ ଜୀବନରେ ଥରେଅଧେ କୌଣସି ଜଣେ ସାମ୍ୱାଦିକଙ୍କ ସହ ସାକ୍ଷାତ କରିଥିଲେ । ସାମ୍ୱାଦିକତାରେ ବିଶ୍ୱସନୀୟତା ବୃଦ୍ଧିଲାଗି କିପରି ଅଧିକରୁ ଅଧିକ ଉପଭୋକ୍ତା ସାମ୍ୱାଦିକମାନଙ୍କ ନିକଟତର ହୋଇପାରିବେ ସେଦିଗରେ ତତ୍ପରତା ପ୍ରକାଶ ବାଞ୍ଛନୀୟ ।


 

ଚ଼ତୁର୍ଥତଃ, ସାମ୍ୱାଦିକମାନେ ଗୁରୁତ୍ୱପୂର୍ଣ୍ଣ ସମ୍ୱାଦ ରଚନା କାଳରେ ବିଷୟ ଚୟନ, ତଥ୍ୟ ସଂଗ୍ରହ, ନିର୍ଭୂଲତା ସମୀକ୍ଷା ଇତ୍ୟାଦି ବିଷୟରେ ପାଠକ ଓ ଦର୍ଶକମାନଙ୍କୁ ଜଣାଇଲେ ପ୍ରକାଶିତ ସମ୍ୱାଦର ବିଶ୍ୱସନୀୟତା ବୃଦ୍ଧିରେ ସହାୟତା ସଂଭବପର । ଏଥି ନିମନ୍ତେ ସୋସିଆଲ ମିଡ଼ିଆର ସହାୟତା ଗ୍ରହଣ କରାଯାଇପାରେ ।


 

ପଞ୍ଚମତଃ, ସମ୍ୱାଦ ପ୍ରକାଶିତ ହେବାପରେ ଉପଭୋକ୍ତାମାନଙ୍କ ମତାମତ ପ୍ରତି ଯଥାସାଧ୍ୟ ଗୁରୁତ୍ୱ ଆରୋପ କରାଯିବା ଉଚିତ । ଅନ୍ତତଃପକ୍ଷେ ଅନ୍ୟ ପାଠକମାନଙ୍କ ଗୋଚରାର୍ଥେ ମତାମତଗୁଡ଼ିକ ଧାରାବାହିକଭାବେ ପ୍ରକାଶନର ବ୍ୟବସ୍ଥା କରାଯାଇପାରେ । ଓଡ଼ିଆ ସମ୍ୱାଦପତ୍ରରେ ଏଥି ନିମନ୍ତେ ଉଦ୍ଦିଷ୍ଟ ସ୍ତମ୍ଭଗୁଡ଼ିକରେ ପ୍ରକାଶିତ ସମ୍ୱାଦର ପ୍ରଶଂସାରେ ସୀମାବଦ୍ଧ । ଏହି ପରମ୍ପରା ବିଶ୍ୱସନୀୟତାର ବିରୁଦ୍ଧାଚରଣ କରିଥାଏ । ପ୍ରଶଂସା ବଦଳରେ ନିନ୍ଦା, ତୃଟି ଓ ନିର୍ଦ୍ଦେଶ ସମ୍ୱଳିତ ମତାମତ ପ୍ରକାଶନ ବିଶ୍ୱସନୀୟତା ପ୍ରତିଷ୍ଠାରେ ଭୂମିକା ଗ୍ରହଣ କରିପାରେ ।


 

ସାମ୍ୱାଦିକତାରେ ଉତ୍କର୍ଷ ଉପଭୋକ୍ତାଙ୍କ ବିଶ୍ୱସନୀୟତା ଉପରେ ପର୍ଯ୍ୟବସିତ । ବିଶ୍ୱସନୀୟତା ବୃଦ୍ଧି ନିମନ୍ତେ ସାମ୍ୱାଦିକତାକୁ ପାଠକକେନ୍ଦ୍ରୀକ ଆଭିମୁଖ୍ୟ ଗ୍ରହଣ କରିବା ସମୟର ଆହ୍ୱାନ । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ସାମ୍ୱାଦିକତାର ବ୍ୟାପ୍ତି ପାଠକ ଓ ଦର୍ଶକମାନଙ୍କୁ ସେମାନଙ୍କ ବିଶ୍ୱାସଭାଜନ ସମ୍ୱାଦ ସୂତ୍ର ଆଡ଼କୁ ଟାଣି ନେଉଥିବା ସ୍ଥଳେ ପ୍ରତ୍ୟେକ ସମ୍ୱାଦ ଉତ୍ପାଦର ଗୁଣବତ୍ତା ବୃଦ୍ଧି ସଙ୍ଗେ ବିତରଣ କୌଶଳ ଗୁରୁତ୍ୱବହନ କରିଥାଏ ।    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୧ ଜାନୁୟାରୀ ୨୦୨୦


ତଥ୍ୟ:



Tobitt, Charlotte. Reuters report highlights journalists’ fears of reader ‘cynicism’and ‘news avoidance’ in 2020, January 13, 2020 <https://pressgazette.co.uk/reuters-report-highlights-journlists-fear-of-reader-cynicism-and-news-avoidance-in-2020/>



 

 

Trust, Media and Democracy. John S. and James L. Knight Foundation. <https://www.knightfoundation.org>

ସମ୍ୱାଦ ମଞ୍ଚର ବିଶ୍ୱସନୀୟତା ୨୦୨୧

ଭାରତରେ ସମ୍ୱାଦ ମଞ୍ଚଗୁଡ଼ିକର ବିଶ୍ୱସନୀୟତା କ୍ରମଶଃ ହ୍ରାସ ପାଇଚାଲିଥିବା ହିସାବ କରାଯାଏ । ପ୍ରତି ତିନିଜଣ ସମ୍ୱାଦ ଉପଭୋକ୍ତାଙ୍କ ମଧ୍ୟରେ ଦୁଇଜଣ ସମକାଳୀନ ଗଣମାଧ୍ୟମରେ ଅସତ୍ୟ ସମ୍ୱାଦ ପ୍ରସାରିତ ହେଉଥିବା ଅଭିଯୋଗ କରିଥାନ୍ତି । ‘କୋଭିଡ଼-୧୯’ ମହାମାରୀକାଳରେ ଏହି ଅବକ୍ଷୟଧାରା କ୍ଷୀପ୍ର ହୋଇଥିବା ଗବେଷଣାରୁ ସୂଚ଼ିତ ।


 

ସାମଗ୍ରିକଭାବେ ଦେଶର ସମ୍ୱାଦ ମଞ୍ଚର ବିଶ୍ୱସନୀୟତା ପରିମାପରେ ପ୍ରସ୍ତୁତ ମୁମ୍ୱାଇସ୍ଥିତ ଗଣମାଧ୍ୟମ ପରାମର୍ଶ ସଂସ୍ଥା ‘ଓରମାକ୍ସ ମିଡ଼ିଆ’ ପକ୍ଷରୁ ‘ଫେକ୍ଟ ଅର ଫେକ ?’ର ୨୦୨୧ ସଂସ୍କରଣ ମେ’ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇଥିଲା । ଏହି ରିପୋର୍ଟ ପ୍ରସ୍ତୁତି ନିମନ୍ତେ ସମ୍ୱାଦ ଉପଭୋକ୍ତାମାନଙ୍କ ମଧ୍ୟରେ ଏକ ସର୍ବେକ୍ଷଣ ଏପ୍ରିଲ ୨୦୨୧ରେ ଆୟୋଜନ କରାଯାଇଥିଲା । ସେଥିରେ ୧୫ ବର୍ଷରୁ ଉର୍ଦ୍ଧ୍ୱ ୧୭ ଗୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଏକ ହଜାର ସହରାଞ୍ଚଳ ବାସିନ୍ଦା ଅଂଶ ଗ୍ରହଣ କରିଥିଲେ । ସେମାନଙ୍କଠାରୁ ଟେଲିଫୋନ ସାକ୍ଷାତକାର ଯୋଗେ ତଥ୍ୟ ସଂଗ୍ରହ ହୋଇ କମ୍ପ୍ୟୁଟର ସହାୟତାରେ ବିଶ୍ଳେଷଣ କରାଯାଇଥିଲା ।


 

ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ଦେଶରେ ୬୫ ପ୍ରତିଶତ ଗଣମାଧ୍ୟମ ଉପଭୋକ୍ତା ଅସତ୍ୟ ସମ୍ୱାଦ ପରିବେଷଣର ଅଭିଯୋଗ କରିଥାନ୍ତି । ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟରେ ମୁଦ୍ରିତ ଗଣମାଧ୍ୟମ ସର୍ବାପେକ୍ଷା ବିଶ୍ୱସନୀୟ । ସମ୍ୱାଦ ମଞ୍ଚରେ ଆସ୍ଥା ରଖୁଥିବା ଉପଭୋକ୍ତାଙ୍କ ମଧ୍ୟରେ ୬୨ ପ୍ରତିଶତ ସମ୍ୱାଦପତ୍ରଗୁଡ଼ିକୁ ବିଶ୍ୱାସଯୋଗ୍ୟ ମନେ କରିଥାନ୍ତି । ତାହା ପରକୁ ରେଡ଼ିଓକୁ ୫୬ ପ୍ରତିଶତ ଏବଂ ଟେଲିଭିଜନ ସମ୍ୱାଦକୁ ୫୩ ପ୍ରତିଶତ ବିଶ୍ୱାସକୁ ନେଇଥାନ୍ତି । ଅପରପକ୍ଷେ ମାତ୍ର ୩୭ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ଡ଼ିଜିଟାଲ ସମ୍ୱାଦମଞ୍ଚ ଓ ସୋସିଆଲ ମିଡ଼ିଆରେ ପ୍ରସାରିତ ସମ୍ୱାଦ ବିଶ୍ୱାସଯୋଗ୍ୟ ବିବେଚ଼ିତ ହୋଇଥାଏ ।


 

ଭାରତୀୟ ଗଣମାଧ୍ୟମ ଉପତ୍ୟକାରେ ଅସତ୍ୟ ସମ୍ୱାଦର ପ୍ରାଦୁର୍ଭାବ ଅନୁଶୀଳନ କରି ‘ଓରମାକ୍ସ ମିଡ଼ିଆ’ ସେପ୍ଟେମ୍ୱର ୨୦୨୦ରେ ପ୍ରଥମ ରିପୋର୍ଟ ପ୍ରକାଶ କରିଥିଲା । ସାତମାସ ପରେ ମେ’ ୨୦୨୧ରେ ଦ୍ୱିତୀୟ ରିପୋର୍ଟ ପ୍ରସ୍ତୁତି ବେଳେ ସମ୍ୱାଦ ମଞ୍ଚଗୁଡ଼ିକ ପ୍ରତି ଉପଭୋକ୍ତାଙ୍କ ବିଶ୍ୱସନୀୟତା ୩୯ ପ୍ରତିଶତରୁ ଚାରି ପ୍ରତିଶତ ହ୍ରାସ ପାଇ ୩୫ ପ୍ରତିଶତରେ ପହଞ୍ଚିଥିବା ଜଣାଯାଏ । ଅର୍ଥାତ, ୬୫ ପ୍ରତିଶତ ଉପଭୋକ୍ତା ସମ୍ୱାଦ ମଞ୍ଚଗୁଡ଼ିକରେ ଅସତ୍ୟ ସମ୍ୱାଦ ପ୍ରସାରଣ ହେଉଥିବା ବିଶ୍ୱାସ କରିଥାନ୍ତି ।


 

ଗଣମାଧ୍ୟମ ସମୀକ୍ଷକମାନଙ୍କ ବିଶ୍ଳେଷଣରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଦ୍ୱିତୀୟାର୍ଦ୍ଧରୁ ଆନ୍ତର୍ଜାତିକସ୍ତରରେ ଅସତ୍ୟ ସମ୍ୱାଦ ‘ଫେକ ନିଉଜ’ ଭୟାବହତା ଅନୁଭୂତ ହୋଇଥିଲା । ମୁଖ୍ୟତଃ ସୋସିଆଲ ମିଡ଼ିଆର ବ୍ୟାପ୍ତି ଯୁକ୍ତରାଷ୍ଟ୍ର ଆମେରିକାରେ ୧୯୧୬ ରାଷ୍ଟ୍ରପତି ନିର୍ବାଚନ ବେଳକୁ ପ୍ରମୁଖ ଗଣମାଧ୍ୟମ ମଞ୍ଚରୂପେ ଅବତୀର୍ଣ୍ଣ ହୋଇଥିବା ଅବସରରେ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଅସତ୍ୟ ସମ୍ୱାଦର ବହୁଳ ପ୍ରସାର ଦେଖିବାକୁ ମିଳିଥିଲା । ଖୁବ କମ ସମୟ ମଧ୍ୟରେ ଏହି ଧାରା ସମଗ୍ର ବିଶ୍ୱର କୋଣ-ଅନୁକୋଣକୁ ସୋସିଆଲ ମିଡ଼ିଆର ପ୍ରସାର ସହବନ୍ଧିତ ହୋଇ ବ୍ୟାପିବାକୁ ଲାଗିଲା ।


 

ରାଜନୀତିକ ଅଭିସନ୍ଧିମୂଳକ ଅସତ୍ୟ ସମ୍ୱାଦ ପ୍ରସାରଣ କ୍ରମଶଃ ବ୍ୟାବସାୟିକ ଲକ୍ଷ୍ୟସିଦ୍ଧି କିମ୍ୱା ଆକ୍ରୋଶମୂଳକ ପ୍ରଚାରରେ ବ୍ୟବହୃତ ହେଲା । କେତେକ କ୍ଷେତ୍ରରେ ଏହା ପ୍ରାୟୋଜିତ ହୋଇଥିବା ସ୍ଥଳେ ଅନ୍ୟ କେତେକ କ୍ଷେତ୍ରରେ ନିଜସ୍ୱ ମଞ୍ଚ ପ୍ରତି ଉପଭୋକ୍ତାଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଚାଞ୍ଚଲ୍ୟକର ସମ୍ୱାଦ ପ୍ରଯୋଜନାରେ ଅସତ୍ୟ ସମ୍ୱାଦ ପ୍ରସାରଣକୁ ଯୋଡ଼ାଯାଇଥାଏ । ଓଡ଼ିଶାରେ କ୍ରମବିକଶିତ ଡ଼ିଜିଟାଲ ମଞ୍ଚରେ ଅସତ୍ୟ ସମ୍ୱାଦ ପ୍ରସାରଣ ଏହାର ଶୈଶବସ୍ଥାରୁ ହିଁ ପ୍ରଦୂଷିତ କରିଚାଲିଛି । ଆଶ୍ଚର୍ଯ୍ୟଜନକ ଭାବେ ଡ଼ିଜିଟାଲ ମଞ୍ଚ ଅର୍ଥ ଅସତ୍ୟ ସମ୍ୱାଦକୁ ହିଁ ବୁଝାଉଛି । ଅତ୍ୟାଧୁନିକ ବୈଷୟିକ କୌଶଳର ଦୁରୋପଯୋଗର ଏହା ଏକ ଉଦାହରଣ ।


 

ଅସତ୍ୟ ସମ୍ୱାଦ ଭିତ୍ତିହୀନ, ଅତିରଞ୍ଜିତ, ଗୁଜବ, ମିଥ୍ୟା, ଅକ୍ଷେପମୂଳକ ତଥା ଉଦ୍ଦେଶ୍ୟପ୍ରଣୋଦିତ । ଅସତ୍ୟ ସମ୍ୱାଦର ପ୍ରଭାବ ଆନ୍ତର୍ଜାତିକସ୍ତରରେ ମାର୍ଚ୍ଚ ୨୦୨୦ ବେଳକୁ ମହାମାରୀ ଅବସରରେ ଶୀର୍ଷରେ ପହଞ୍ଚିଥିବା ସ୍ଥଳେ ପ୍ରାୟ ସେହି ସମୟରେ ଏପ୍ରିଲ ୨୦୨୦ରେ ଭାରତରେ ମଧ୍ୟ ପ୍ରଭାବ ବିସ୍ତାର କରିଥିବା ଗଣମାଧ୍ୟମ ବିଶାରଦମାନେ ଚ଼ିହ୍ନଟ କରିଥାନ୍ତି । ମହାମାରୀଜନିତ ଲକଡ଼ାଉନ ଅବସରରେ ଦେଶାନ୍ତରୀ ଶ୍ରମିକମାନଙ୍କ ଘରବାହୁଡ଼ାଠାରୁ ଆରମ୍ଭ କରି ସଂକ୍ରମଣର ଭୟାବହତା ଓ ପରିଚାଳନା ସଂପର୍କୀତ ଅସତ୍ୟ ସମ୍ୱାଦ ଡ଼ିଜିଟାଲ ମଞ୍ଚକୁ ଭରାକ୍ରାନ୍ତ କରିଥିଲା ।


 

ପାରମ୍ପରିକ ଗଣମାଧ୍ୟମ ପରିସରରେ ଯେ ଅସତ୍ୟ ସମ୍ୱାଦ ପରିବେଷଣର ସ୍ଥାନ ନଥିଲା ତାହା ନୁହେଁ । ତେବେ ମୁଦ୍ରଣ, ରେଡ଼ିଓ ଓ ଟେଲିଭିଜନ ଭଳି ମଞ୍ଚଗୁଡ଼ିକରେ ସମ୍ୱାଦ ଯାଞ୍ଚ ନିମନ୍ତେ ଉତ୍ସର୍ଗୀକୃତ ତାଲିମପ୍ରାପ୍ତ ଅଭିଜ୍ଞ ସମ୍ପାଦନା ବିଭାଗ ଏବଂ ସାମ୍ୱାଦିକତାରେ ଉଚ୍ଚମାନର ନୈତିକତା ଅସତ୍ୟ ସମ୍ୱାଦ ପ୍ରସାରଣରେ ଆକଟ କରୁଥିଲା । ଡ଼ିଜିଟାଲ ମଞ୍ଚରେ ଉଚ଼ିତ ମାତ୍ରାରେ ସମ୍ପାଦନା ଓ ପରିଚାଳନାଗତ ଦକ୍ଷତା ଅଭାବ ସମ୍ୱାଦ ପରିବେଷଣରେ ପ୍ରଦୂଷଣ ରୋକିବାରେ ସମର୍ଥ ହୋଇପାରି ନଥାଏ । ଅପରପକ୍ଷେ ସୋସିଆଲ ମିଡ଼ିଆରେ କୌତୁହଳ ଉଦ୍ଦୀପକ ଓ ଚାଞ୍ଚଲ୍ୟକର ସମ୍ୱାଦ ବିତରଣ ଗୁରୁତ୍ୱ ହାସଲ କରୁଥିବା ଏବଂ ସମ୍ୱାଦ ପରିବେଷଣକାରୀ ନୀତି, ନିୟମ ଓ ନୈତିକତା କ୍ଷେତ୍ରରେ ଅନଭିଜ୍ଞ ଥିବା ହେତୁ ଅସତ୍ୟ ସମ୍ୱାଦ ପରିବେଷଣ ଆକଟହୀନ ହୋଇପଡ଼ିଥାଏ ।


 

ସଂବାଦ ମଞ୍ଚରେ ବିଶ୍ୱାସ ରଖୁଥିବା ଉପଭୋକ୍ତା ସର୍ବନିମ୍ନ ୩୭ ପ୍ରତିଶତଙ୍କ ମଧ୍ୟରେ ଟୁଇଟର ସର୍ବାଧିକ ବିଶ୍ୱସନୀୟ । ଏଥିରେ ୪୭ ପ୍ରତିଶତ ଯାଏଁ ବିଶ୍ୱାସ ରଖୁଥିବା ସ୍ଥଳେ ଅନ୍ୟାନ୍ୟ ଆପ୍ଲିକେସନ ‘ଆପ’ ଗୁଡ଼ିକ ୩୦ ପ୍ରତିଶତ ଯାଏଁ ବିଶ୍ୱାସଭାଜନ ହୋଇଥାଏ । ସୋସିଆଲ ମିଡ଼ିଆରେ ସ୍ମାର୍ଟଫୋନ ବ୍ୟବହାରକାରୀମାନେ ଦୀର୍ଘ ସମୟ ଅତିବାହିତ କରୁଥିବା ତଥା ବହୁ ସମ୍ୱାଦ ସୂତ୍ର ସହବନ୍ଧିତ ହେଉଥିଲେ ହେଁ ଅସତ୍ୟ ସମ୍ୱାଦ ସଂପୃକ୍ତ ମଞ୍ଚଗୁଡ଼ିକରେ ପ୍ରମୁଖସ୍ଥାନ ଅଧିକାର କରୁଥିବା ସଂପର୍କରେ ଅବଗତ ଥାନ୍ତି ।


 

ସମ୍ୱାଦ ମଞ୍ଚଗୁଡ଼ିକ ମହାମାରୀ ଭଳି ବିପର୍ଯ୍ୟୟ କାଳରେ ଉପଭୋକ୍ତାଙ୍କ ନିମନ୍ତେ ଅତ୍ୟାବଶ୍ୟକୀୟ ସେବାର ମାଧ୍ୟମରୂପେ ମାନ୍ୟତା ହାସଲ କରିବା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଥିବା ସତ୍ତ୍ୱେ ବିଶ୍ୱସନୀୟତା ହରାଇବା ବିଡ଼ମ୍ୱନାର ବିଷୟ । ସୋସିଆଲ ମିଡ଼ିଆରେ ଅସତ୍ୟ ସମ୍ୱାଦ ପ୍ରସାର ଧାରା ପାରମ୍ପରିକ ମଞ୍ଚ ସମ୍ୱାଦପତ୍ର ଓ ଟେଲିଭିଜନକୁ ମଧ୍ୟ ମହାମାରୀକାଳରେ ସଂପ୍ରସାରିତ ହୋଇଥିଲା । ଫଳରେ ବହୁ ସମ୍ୱାଦମଞ୍ଚ ଗୁରୁତ୍ୱହୀନ ପର୍ଯ୍ୟାୟରେ ବର୍ଗୀକୃତ ହୋଇ ପଡ଼ିଥିଲେ । ମହାମାରୀ-ପର ଅବସ୍ଥାରେ ସକଳ ଉଦ୍ୟମ ସତ୍ତ୍ୱେ ମହାମାରୀ-ପୂର୍ବ ଅବସ୍ଥାକୁ ଫେରିବା ଏକରକମ ଅସଂଭବ ବୋଲି କେତେକ ବିଚାର କରିଥାନ୍ତି ।


 

ସମ୍ୱାଦ ମଞ୍ଚ ପ୍ରତି ଉପଭୋକ୍ତାଙ୍କ ବିଶ୍ୱସନୀୟତା ଦୃତ ଅବକ୍ଷୟ ଉଦବେଗର କାରଣ । ତୁଳନାତ୍ମକଭାବେ ସେପ୍ଟେମ୍ୱର ୨୦୨୦ର ସହ ମେ’ ୨୦୨୧ର ହିସାବରେ ଡିଜିଟାଲ ମଞ୍ଚ ଓ ସୋସିଆଲ ମିଡ଼ିଆ କ୍ଷେତ୍ରରେ ବିଶ୍ୱସନୀୟତା ୪୨ ପ୍ରତିଶତରୁ ୩୭ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଟେଲିଭିଜନର ବିଶ୍ୱସନୀୟତା ୫୭ ପ୍ରତିଶତରୁ ୫୬ ପ୍ରତିଶତ ଏବଂ ରେଡ଼ିଓର ବିଶ୍ୱସନୀୟତା ୫୬ ପ୍ରତିଶତରୁ ୫୩ ପ୍ରତିଶତକୁ ହ୍ରାସ ପାଇଛି ।


 

ସମ୍ୱାଦ ମଞ୍ଚଗୁଡ଼ିକ ପ୍ରତି ଉପଭୋକ୍ତାଙ୍କ ବିଶ୍ୱସନୀୟତା ହ୍ରାସ ନିମନ୍ତେ ସଂପୃକ୍ତ କ୍ଷେତ୍ରରେ ମାଲିକାନା ଓ ସମ୍ପାଦକୀୟ ନୀତି ନିର୍ଦ୍ଧାରଣ ଉଭୟ ଦାୟୀ । ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶକୁ ଅଣଦେଖା କରିବା ଅନେକ ସମ୍ୱାଦ ମଞ୍ଚ ନିମନ୍ତେ ଆତ୍ମଘାତୀ ହୋଇପାରେ ।     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୪ ମେ ୨୦୨


ତଥ୍ୟ:



Concern about fake news on the rise in India : Ormax report. www.indiantelevision.com


 

https://www.indiantelevision.com/television/tv-channels/news-broadcasting/concerns-about-fake-news-on-the-rise-in-india-ormax-report-210505


 

Kapoor, Sailesh. Fact or Fake : A reality check on Indian news. www.ormaxmedia.com


 

https://www.ormaxmedia.com/insights/stories/fact-or-fake-a-reality-check-on-indian-news.html

ସମ୍ୱାଦ ମଞ୍ଚକୁ ଅନାଦର 

ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚକୁ ଅନାଦର ମହାମାରୀ-ପର ପରିବେଶରେ ଗଣମାଧ୍ୟମରେ ଏକ ଅସମାହିତ ସମସ୍ୟା । ବିକଶିତ ରାଷ୍ଟ୍ରଗୁଡ଼ିକରେ ଆୟୋଜିତ ଅଧ୍ୟୟନରୁ ଜନସାଧାରଣ ସମ୍ୱାଦ ମଞ୍ଚ ବଦଳରେ ଅଣ-ସମ୍ୱାଦ ମଞ୍ଚଗୁଡ଼ିକରୁ ଅଧିକ ରାଜନୀତିକ ସମ୍ୱାଦ ପାଉଥିବା ହିସାବ ମିଳିଛି । ଖ୍ୟାତି ସମ୍ପନ୍ନ ଗବେଷଣା ପତ୍ରିକା ‘ପଲିଟିକାଲ କମ୍ୟୁନିକେସନ’ର ଅଗଷ୍ଟ ୨୦୨୩ରେ ପ୍ରକାଶିତ ଏକ ପ୍ରବନ୍ଧରେ ଦର୍ଶାଯାଇଛି ଯେ ପ୍ରତି ଦଶଗୋଟି ରାଜନୀତିକ ସମ୍ୱାଦ ଆହରଣ ଅବସରରେ ଜନସାଧାରଣ ସମ୍ୱାଦ ମଞ୍ଚରୁ ୩.୪ ଗୋଟି ପାଉଥିବା ସ୍ଥଳେ ଅଣ-ସମ୍ୱାଦ ମଞ୍ଚଗୁଡ଼ିକରୁ ୬.୬ ଗୋଟି ପାଇଥାନ୍ତି । ଏ ସଂପର୍କରେ ତଥ୍ୟ ସଂଗ୍ରହ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା, ଦି ନେଦରଲ୍ୟାଣ୍ଡସ ଓ ପୋଲାଣ୍ଡରେ ସାତ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ମତାମତ ସଂଗ୍ରହ କରାଯାଇଥିଲା ।

 

ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ନମୂନାଗୁଡ଼ିକ ମୁଖ୍ୟତଃ ଅନଲାଇନ ସମ୍ୱାଦ ଉପଭୋକ୍ତା । ଗବେଷକଗଣ ମତ ପ୍ରକାଶ କରିଥିଲେ ଯେ ଜନସାଧାରଣ ଦୈନନ୍ଦିନ ଅନଲାଇନ କାର୍ଯ୍ୟଧାରାରେ ସମ୍ୱାଦ ମଞ୍ଚରେ ଖୁବ କମ ସମୟ ବିତାଉଥିବା ଏବଂ ଯାବତୀୟ କାର୍ଯ୍ୟ ନିମନ୍ତେ ଦୀର୍ଘ ସମୟ ଉପସ୍ଥିତ ରହୁଥିବା ହେତୁ ଅଣ-ସମ୍ୱାଦ ମଞ୍ଚରୁ ରାଜନୀତିକ ସମ୍ୱାଦ ଗ୍ରହଣ ପରିମାଣ ସ୍ୱାଭାବିକଭାବେ ଅଧିକ ରହୁଛି । ସେମାନଙ୍କ ମତରେ ସମ୍ୱାଦ ମଞ୍ଚରୁ ସମ୍ୱାଦ ଏବଂ ଅଣ-ସମ୍ୱାଦ ମଞ୍ଚରୁ ସମ୍ୱାଦ ଆହରଣ ହେତୁ ବ୍ୟକ୍ତିର ରାଜନୀତିକ ଦୃଷ୍ଟିକୋଣ ପ୍ରଯୋଜନାରେ ବିଶେଷ ପ୍ରଭେଦ ପରିଦୃଷ୍ଟ ହୁଏନାହିଁ ।

 

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ‘ରଏଟର ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ର ବରିଷ୍ଠ ଗବେଷକ ନିକ ନିଉମେନ ଅଗଷ୍ଟ ୨୦୨୩ରେ ‘ସମ୍ୱାଦର ଭବିଷ୍ୟତ’ ଶୀର୍ଷକ ଆଲୋଚ଼ନାଚକ୍ରରେ ଉଦବୋଧନ ଅବସରରେ ବ୍ରିଟେନରେ ୨୦୧୩ ସହ ୨୦୨୩ର ଗଣମାଧ୍ୟମ ପରିବେଶ ତୁଳନା କରି ଟେଲିଭିଜନ ଓ ମୁଦ୍ରଣ ମଞ୍ଚରୁ ଦର୍ଶକ ଓ ପାଠକ ଅପସାରଣ ତଥ୍ୟ ଉପସ୍ଥାପନ କରିଥିଲେ । ଟେଲିଭିଜନ ଦର୍ଶକ ସଂଖ୍ୟା ୨୦୧୩ରେ ୭୯ ପ୍ରତିଶତ ଥିବା ସ୍ଥଳେ ୨୦୨୩ରେ ୫୨ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ମୁଦ୍ରଣ ମଞ୍ଚର ପାଠକ ସଂଖ୍ୟା ୫୯ ପ୍ରତିଶତରୁ ଖସି ମାତ୍ର ୧୪ ପ୍ରତିଶତରେ ପହଞ୍ଚିଛି । ଅପରପକ୍ଷେ ସୋସିଆଲ ମିଡ଼ିଆ ଉପଭୋକ୍ତା ସଂଖ୍ୟା ୨୦୧୩ରେ ୨୦ ପ୍ରତିଶତ ଥିବା ସ୍ଥଳେ ୨୦୨୩ରେ ୩୮ ପ୍ରତିଶତକୁ ବୃଦ୍ଧି ପାଇଛି ।

 

ସୋସିଆଲ ମିଡ଼ିଆରେ ଭିଡ଼ିଓ ମଞ୍ଚର ଦର୍ଶକ ସଂଖ୍ୟା ବୃଦ୍ଧି ପାଇଛି । ବ୍ରିଟେନରେ ୟୁଟ୍ୟୁବ ଉପଭୋକ୍ତା ସଂଖ୍ୟା ୨୦୧୪ରେ ୧୬ ପ୍ରତିଶତରୁ ୨୦୨୩ରେ ୨୦ ପ୍ରତିଶତରେ ପହଞ୍ଚିଛିହ୍ୱାଟସଆପ ସାତ ପ୍ରତିଶତରୁ ୧୬ ପ୍ରତିଶତ ବୃଦ୍ଧି ପାଇଥିବା ସ୍ଥଳେ ଫେସବୁକ ଉପଭୋକ୍ତା ସଂଖ୍ୟା ୩୬ ପ୍ରତିଶତରୁ ୨୮ ପ୍ରତିଶତକୁ ହ୍ରାସ ପାଇଛି । ସେଠାକାର ୧୮ରୁ ୨୪ ବର୍ଷ ବୟସ୍କ ଯୁବବର୍ଗ ସୋସିଆଲ ମିଡିଆକୁ ପ୍ରାଥମିକ ସମ୍ୱାଦ ସୂତ୍ରଭାବେ ଗ୍ରହଣ କରିଥାନ୍ତି । କେବଳ ୫୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବର୍ଗ ଟେଲିଭିଜନ ସମ୍ୱାଦ ଉପରେ ନିର୍ଭରଶୀଳ ।

 

ବିକଶିତ ରାଷ୍ଟ୍ରଗୁଡ଼ିକରେ ଜନସାଧାରଣଙ୍କ ସମ୍ୱାଦ ବିମୁଖ ମନୋଭାବ ସ୍ପଷ୍ଟ ପ୍ରମାଣିତ । ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ୨୦୧୫ ତୁଳନାରେ ୨୦୨୩ରେ ବ୍ରିଟେନରେ ସର୍ବାଧିକ ୨୭ ପ୍ରତିଶତ ଏବଂ ତାହା ପରକୁ ଫ୍ରାନ୍ସରେ ୨୩ ପ୍ରତିଶତ, ଜର୍ମାନୀରେ ୨୨ ପ୍ରତିଶତ, ଯୁକ୍ତରାଷ୍ଟ୍ର ଆମେରିକାରେ ୧୮ ପ୍ରତିଶତ ଜନସାଧାରଣଙ୍କ ମଧ୍ୟରେ ସମ୍ୱାଦ ପ୍ରତି ଆଗ୍ରହ କମିଛି । ଆନ୍ତର୍ଜାତିକସ୍ତରରେ ବ୍ରିଟେନ ଓ ଫ୍ରାନ୍ସର ସାମ୍ୱାଦିକତାର ଉତ୍କର୍ଷକୁ ପ୍ରଶଂସା କରାଯାଇଆସୁଥିବା ସ୍ଥଳେ ସେହି ଦୁଇ ରାଷ୍ଟ୍ରରେ ଜନସାଧାରଣ କ୍ରମଶଃ ସମ୍ୱାଦରୁ ଦୂରେଇ ଯାଉଥିବା ଚ଼ିନ୍ତାଜନକ ।

 

ସମ୍ୱାଦ ବିମୁଖ ପରିବେଶ ନିମନ୍ତେ ବିଶେଷଜ୍ଞମାନେ କେତେକ ମୁଖ୍ୟ କାରଣ ଚ଼ିହ୍ନଟ କରିଥାନ୍ତି । ପ୍ରଥମତଃ, ସୂଚ଼ନା ପ୍ରାଚୁର୍ଯ୍ୟ ସମ୍ୱାଦ ବିମୁଖ ପ୍ରବାହର ମୂଳ ଉତ୍ସ । ମହାମାରୀ-ପର ଅବସ୍ଥାରେ ଜନସାଧାରଣ ବିପୁଳ ପରିମାଣରେ ସୂଚ଼ନା ପାଉଥିବା ହେତୁ ସମ୍ୱାଦ ପ୍ରତି ବୀତସ୍ପୃହ ହୋଇପଡୁଥିବା କାରଣ ରୂପେ ଦର୍ଶାଯାଏ । ସ୍ମାର୍ଟଫୋନର ପ୍ରସାର ପରେ ପ୍ରତି କ୍ଷଣରେ ବିଭିନ୍ନ ସୂତ୍ରରୁ ସମ୍ୱାଦ ଜନସାଧାରଣଙ୍କ ହାତପାଆନ୍ତାରେ ଉପଲବ୍ଧ । କୌଣସି ସମ୍ୱାଦ ମଞ୍ଚକୁ ଯିବା ପୂର୍ବରୁ ସୋସିଆଲ ମିଡ଼ିଆରେ ସମ୍ୱାଦର ମୂଳ ସାର ଅବହିତ ହେବାପରେ ଉପଭୋକ୍ତା ନିଜ ରୁଚ଼ି ଓ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦିଷ୍ଟ କୌଣସି ବିଷୟରେ ଅଧିକ ତଥ୍ୟ ୟୁଟ୍ୟୁବ ବା ସର୍ଚ୍ଚ ଇଞ୍ଜିନରେ ଖୋଜୁଛି । ବିସ୍ତୃତ ବିବରଣୀ, ଅଭିମତ ବା ବିତର୍କ ନିମନ୍ତେ ଟେଲିଭିଜନ ବା ସମ୍ୱାଦପତ୍ରରେ ପହଞ୍ଚୁଛି ।

 

ଦ୍ୱିତୀୟତଃ, ବିଭିନ୍ନ ଗବେଷଣାରୁ ଜଣାଯାଏ ଯେ ସମ୍ୱାଦ ସଂସ୍ପର୍ଶରେ ଉପଭୋକ୍ତା କ୍ରୋଧ, ଉଦବିଗ୍ନତା, ଅସହାୟତା ଓ ଅବସାଦର ଶୀକାର ହେଉଥିବା ହେତୁ ସମ୍ୱାଦରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି । ଉଦାହରଣରେ ମହାମାରୀ-ପର ଅବସ୍ଥାରେ ବିଶ୍ୱବ୍ୟାପୀ ମୁଦ୍ରାସ୍ପୀତି ଓ ୟୁକ୍ରେନ ଯୁଦ୍ଧ ସମ୍ୱାଦ ପ୍ରତି ଜନସାଧାରଣ ଆଗ୍ରହ ପ୍ରକାଶ କଲେ ନାହିଁ । ଗଣମାଧ୍ୟମ ତତ୍ତ୍ୱ ଅନୁଯାୟୀ ଅର୍ଥନୀତିକ ବିଶୃଙ୍ଖଳା ଓ ଯୁଦ୍ଧ ସମୟରେ ଲୋକେ ଅଧିକ ସମ୍ୱାଦ ପାଇବା ପାଇଁ ଆଗ୍ରହ ପ୍ରକାଶ କରିବା କଥା । ବିଶ୍ୱବ୍ୟାପୀ ଅବିଚାର, ଅନାଚାର ଓ ଅତ୍ୟାଚାର ବୃଦ୍ଧି ପାଇଚାଲିଥିବା ସ୍ଥଳେ ଏହାକୁ ରୋକିବାରେ ଅସମର୍ଥ ସାଧାରଣ ଜନତା ଏଭଳି ସମ୍ୱାଦରୁ ହିଁ ଦୂରେଇ ଯାଉଥିବା ପ୍ରତୀୟମାନ ହୁଏ ।

 

ତୃତୀୟତଃ, ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକର ବିଲୟ ନାଗରିକଙ୍କ ସମ୍ୱାଦପ୍ରତି ଅନାଦରର ଅନ୍ୟତମ କାରଣ ବିଚାର କରାଯାଏ । ବିକଶିତ ରାଷ୍ଟ୍ରଗୁଡ଼ିକରେ ସାପ୍ତାହିକ ସମ୍ୱାଦପତ୍ରଠାରୁ ଆରମ୍ଭ କରି ଡ଼ିଜିଟାଲ ମଞ୍ଚ ସ୍ୱାବଲମ୍ୱୀ ବ୍ୟାବସାୟିକ ମଡ଼େଲ ଅଭାବରୁ ଦୁର୍ଦ୍ଦଶାଗ୍ରସ୍ତ । ଫଳରେ ଗୁଣାତ୍ମକ ସାମ୍ୱାଦିକତା ସର୍ବାଧିକ କ୍ଷତିଗ୍ରସ୍ତ ହେଲା ଏବଂ ସାମଗ୍ରିକଭାବେ ସର୍ବସାଧାରଣରେ ସମ୍ୱାଦର ଯାଦୁକାରୀ ପ୍ରଭାବ ଲୋପ ପାଇବାକୁ ବସିଲା । ଜନଜୀବନରେ କାର୍ଯ୍ୟରେ ନ ଆସୁଥିବା ସମ୍ୱାଦ ପଢ଼ିବାକୁ, ଦେଖିବାକୁ ବା ଶୁଣିବାକୁ କେହି ପସନ୍ଦ କଲେ ନାହିଁ ।

 

ଚ଼ତୁର୍ଥତଃ, ବିକଶିତ ରାଷ୍ଟ୍ରଗୁଡ଼ିକରେ ଜନସାଧାରଣ ଅନଲାଇନ ସମ୍ୱାଦରେ ଅଭ୍ୟସ୍ତ ହୋଇସାରିଥିବା ଅବସରରେ ସମ୍ୱାଦ ଆହରଣ ନିମନ୍ତେ ଗ୍ରାହକ ଚାନ୍ଦା ପ୍ରଦାନରେ ପଛୁଆ ରହୁଛନ୍ତି । ଉଦାହରଣରେ ବ୍ରିଟେନରେ ଅନଲାଇନ ସମ୍ୱାଦ ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ନଅ ପ୍ରତିଶତ ସମ୍ୱାଦ ମଞ୍ଚର ଗ୍ରାହକ ଶ୍ରେଣୀଭୁକ୍ତ । ସମ୍ୱାଦର ଗୁଣବତ୍ତା ବିଚାରକୁ ନେଇ ସୀମିତ ସଂଖ୍ୟକ ସମ୍ୱାଦ ମଞ୍ଚକୁ ଅର୍ଥପ୍ରଦାନ କରିଥାନ୍ତି ଅପରପକ୍ଷେ ପ୍ରାୟୋଜିତ ସମ୍ୱାଦ ସମୃଦ୍ଧ ବ୍ୟାବସାୟିକ ସମ୍ୱାଦ ମଞ୍ଚଗୁଡ଼ିକ ବିନା ମୂଲ୍ୟରେ ସମ୍ୱାଦ ବିତରଣରେ ଅଗ୍ରଣୀ ଥିବା ହେତୁ ଅଧିକ ସଂଖ୍ୟକ ଉପଭୋକ୍ତାଙ୍କୁ ଆକର୍ଷିତ କରିଥାଏ । ଫଳ ସ୍ୱରୂପ ସମ୍ୱାଦ ବଦଳରେ ବିସମ୍ୱାଦ ପ୍ରସାରିତ ହୋଇ ସାମ୍ୱାଦିକତା ପରିବେଶକୁ ବିଷାକ୍ତ ବଳୟକୁ ଟାଣିନିଏ ।

 

ପଞ୍ଚମତଃ, ଅନଲାଇନ ସମ୍ୱାଦ ମଞ୍ଚରେ କୃତ୍ରିମ ବୁଦ୍ଧିମତା ଭଳି ଅତ୍ୟାଧୁନିକ ବୈଷୟିକ କୌଶଳ ସମ୍ୱାଦ ଉପସ୍ଥାପନକୁ ଆକର୍ଷଣୀୟ ଗଢ଼ି ତୋଳିବ ବୋଲି ବିଶ୍ୱାସ କରାଯାଉଛି । ସମୟକ୍ରମେ ସମ୍ୱାଦ ପାଠକ ନିଜସ୍ୱ ରୁଚିର ସମ୍ୱାଦ-ସଜ୍ଜା ଚାହୁଁଥିବା ସ୍ଥଳେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ସ୍ୱତନ୍ତ୍ର ସଂସ୍କରଣ ପ୍ରସ୍ତୁତି ସଂଭବ ହୋଇପାରିବ । ସମ୍ୱାଦ ମଞ୍ଚରେ ବିବିଧତା ପାଠକ, ଦର୍ଶକ ଓ ଶ୍ରୋତାଙ୍କୁ ଫେରାଇ ଆଣିବା ଆଶା ସାମ୍ୱାଦିକତା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିବ ।

 

ସମ୍ୱାଦ ବିମୁଖ ପରିବେଶରେ ବିକଶିତ ରାଷ୍ଟ୍ରଗୁଡ଼ିକର ସ୍ଥିତାବସ୍ଥା ଭାରତ ବା ଓଡ଼ିଶା ଭଳି ବିକାଶଶୀଳ ସମାଜରେ ଊଣାଅଧିକ ପ୍ରତିଫଳିତ ହେବା ନିଶ୍ଚିତ । ତେବେ ସମ୍ଭାବ୍ୟ ପରିବର୍ତ୍ତନର ଆଗୁଆ ସୂଚ଼ନା ଭିତ୍ତିରେ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକ ନିଜ ସମ୍ପାଦକୀୟ ଓ ବ୍ୟାବସାୟିକ ମଡ଼େଲ ପୁର୍ନବିନ୍ୟାସର ସମୟ ଉପନୀତ । ସମ୍ୱାଦ ମଞ୍ଚର ଅନାଦର ଏକ ଗୁରୁତର ସମସ୍ୟା ଏବଂ ଏହା ଅସମାହିତ ସ୍ତରରେ ଥିବା ହେତୁ ପ୍ରତ୍ୟେକ ସମ୍ୱାଦ ମଞ୍ଚ ନିଜକୁ ସୁହାଇଲା ଭଳି ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ଦିଗରେ ଅବହେଳା ଘାତକ ସାଜିପାରେ ।      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ସେପ୍ଟେମ୍ୱର ୨୦୨


ତଥ୍ୟ:

 

Farhi, Paul. Do you avoid the news ? You are in a growing company. Washington Post. August 1, 2023

 

https://www.washingtonpost.com/media/2023/08/01/news-avoid-depressing/

 

Coddington, Mark and Lewis Seth. Non-News sites expose people to more political content than news sites, why ? NemanLab. September 5, 2023

 

https://www.niemanlab.org/2023/09/non-news-sites-expose-people-to-more-political-content-than-news-sites-why

 

News trends for publishers: Ten key issues they need to tackle

 

https://pressgazette.co.uk/media-audience-and-business-data/media_metrics/news-trends-2023/?utm_source=substack&utm_medium=email

ସମ୍ୱାଦ ମଞ୍ଚ ଚୟନ ୨୦୨୩ 

ସାମୂହିକସ୍ତରରେ ଗଣମାଧ୍ୟମ ଉପଭୋକ୍ତାଙ୍କ ସମ୍ୱାଦ ମଞ୍ଚ ଚୟନ ଅଭ୍ୟାସ ଚଳନ୍ତି ସାମ୍ୱାଦିକତା ପ୍ରବାହକୁ ପ୍ରଭାବିତ କରେ । ସାମୟିକଭାବେ ପାଠକୀୟ ପ୍ରତିକ୍ରିୟା ଅଧ୍ୟୟନ ବିକଶିତ ରାଷ୍ଟ୍ରଗୁଡ଼ିକରେ ଗୁରୁତ୍ୱ ଲାଭ କରିଥିଲେହେଁ ଆମ ରାଜ୍ୟ ଓ ଦେଶ ପଛୁଆ । ଫଳରେ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକର ପ୍ରକାଶନ ପାଠକ, ଶ୍ରୋତା ବା ଦର୍ଶକଙ୍କୁ କେତେଦୂର ଆକର୍ଷିତ କରିପାରୁଛି ତାହା ସଂପର୍କରେ ବିଶ୍ୱସନୀୟ ତଥ୍ୟ ଅଭାବରୁ ପ୍ରକାଶକ ଓ ସମ୍ପାଦକମାନେ ନିଜସ୍ୱ ଆକଳନ ବିଚାରକୁ ନେଇଥାନ୍ତି । କିନ୍ତୁ ବିଜ୍ଞାନସମତ୍ତ ଗବେଷଣା ବଦଳରେ ଅନୁମାନ ଆଧାରିତ ନିଷ୍ପତ୍ତି ବିଭ୍ରାନ୍ତିକର । ସଠିକ ତଥ୍ୟାବଳୀ ପ୍ରଚଳିତ ସମ୍ପାଦକୀୟ ନୀତିର ସମୀକ୍ଷା ଓ ସଂଶୋଧନରେ ସହାୟକ ହୋଇଥାଏ । ଏହା ଭବିଷ୍ୟତ ନିମନ୍ତେ ନୀତିନିର୍ଦ୍ଧାରଣ ତଥା ଉଭୟ ସମ୍ପାଦକୀୟ ଓ ବ୍ୟାବସାୟିକ ଅଭିବୃଦ୍ଧିର ମୂଳ ଉପାଦାନ । ଅପରପକ୍ଷେ ଅଜ୍ଞତା ସମୟକ୍ରମେ ଅବନତିର କାରଣ ପାଲଟେ ।

 

ମାର୍କିନ ଗବେଷଣା ପ୍ରତିଷ୍ଠାନ ‘ପିଉ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ସେଠାକାର ସାମାଜିକ ଧାରା ଅଧ୍ୟୟନ ନିମନ୍ତେ କ୍ରମାଗତ ଜାତୀୟସ୍ତରରେ ସର୍ବେକ୍ଷଣମାନ ଆୟୋଜନ କରାଯାଇଥାଏ । ‘ପିଉ’ ପକ୍ଷରୁ ୨୦୧୪ରୁ ‘ଦି ଆମେରିକାନ ଟ୍ରେଣ୍ଡସ ପ୍ୟାନେଲ’ ନାମରେ ଏକ ଦୀର୍ଘସୂତ୍ରୀ ଅଧ୍ୟୟନ ଆରମ୍ଭ ହୋଇଛି । ଏହାର ୧୩୫ତମ ସଂସ୍କରଣରେ ୨୫ ସେପ୍ଟେମ୍ୱରରୁ ଅକ୍ଟୋବର ପହିଲା ୨୦୨୩ ମଧ୍ୟରେ ୮,୮୪୨ ବ୍ୟକ୍ତିଙ୍କୁ ନେଇ ସର୍ବେକ୍ଷଣର ତଥ୍ୟାବଳୀ ନଭେମ୍ୱର ୨୦୨୩ ମଧ୍ୟଭାଗରେ ପ୍ରକାଶିତ ହୋଇଥିଲା । ଏଥିରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାପ୍ତବୟସ୍କ ନାଗରିକଙ୍କ ଗଣମାଧ୍ୟମ ମଞ୍ଚ ଆହରଣ ଅଭ୍ୟାସ ସଂପର୍କରେ ବିଶଦ ବିବରଣୀ ଅନ୍ତର୍ଭୁକ୍ତ ।

 

ଡ଼ିଜିଟାଲ ମଞ୍ଚର ପ୍ରସାର ପରେ ସର୍ବାଧିକ ସଂଖ୍ୟକ ମାର୍କିନ ଜନସାଧାରଣ ଟେଲିଭିଜନ, ରେଡ଼ିଓ ଓ ମୁଦ୍ରଣ ମଞ୍ଚ ବଦଳରେ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ କରୁଥିବା ସ୍ୱୀକାର କରିଥିଲେ । ପ୍ରାୟ ୫୬ ପ୍ରତିଶତ ବହୁ ସମୟ ଓ ୮୬ ପ୍ରତିଶତ ବେଳେ ବେଳେ ସ୍ମାର୍ଟଫୋନ, କମ୍ପ୍ୟୁଟର ବା ଟେବଲେଟ ଯୋଗେ ୨୦୨୩ରେ ସମ୍ୱାଦ ପାଉଥିବା ଜଣାଯାଇଥିଲା । ବର୍ଷକ ପୂର୍ବେ ୨୦୨୨ରେ ୪୯ ପ୍ରତିଶତ ବହୁ ସମୟ ଓ ୫୧ ପ୍ରତିଶତ ବେଳେ ବେଳେ ଡିଜିଟାଲ ମଞ୍ଚ ବ୍ୟବହାର କରୁଥିଲେ । ଅତୀତରେ ଟେଲିଭିଜନ ସମ୍ୱାଦ ପ୍ରସାରଣର ମୁଖ୍ୟ ସାଧନ ପାଲଟିଥିବା ସ୍ଥଳେ ୨୦୨୩ରେ ୩୨ ପ୍ରତିଶତ ଓ ୨୦୨୨ରେ ୩୧ ପ୍ରତିଶତ ନାଗରିକ ସମ୍ୱାଦ ନିମନ୍ତେ ଟେଲିଭିଜନ ଉପରେ ନିର୍ଭରଶୀଳ ଥିବା କହିଥିଲେ । ଅନ୍ୟ ଦୁଇ ମାଧ୍ୟମ ରେଡ଼ିଓ ଛଅ ପ୍ରତିଶତ ଓ ମୁଦ୍ରଣ ମଞ୍ଚ ପାଞ୍ଚ ପ୍ରତିଶତ ସମ୍ୱାଦ ଶୁଣିବା ବା ପଢ଼ିବା ନିମନ୍ତେ ଉପଯୋଗ କରୁଥିଲେ ।

 

ଡ଼ିଜିଟାଲ ମଞ୍ଚରେ ୨୦୨୩ରେ ଆମେରିକାବାସୀ ୨୫ ପ୍ରତିଶତ ସମ୍ୱାଦ ନିମନ୍ତେ ୱେବସାଇଟ କିମ୍ୱା ଆପ ବ୍ୟବହାର କରିଥାନ୍ତି । ତା’ପରକୁ ସର୍ଚ୍ଚ ଇଞ୍ଜିନ ଓ ସୋସିଆଲ ମିଡ଼ିଆ ପ୍ରତ୍ୟେକରେ ୧୨ ପ୍ରତିଶତ ତଥା ପଡ଼କାଷ୍ଟରେ ଛଅ ପ୍ରତିଶତ ସମ୍ୱାଦ ପାଇଥାନ୍ତି । ସମ୍ୱାଦ ୱେବସାଇଟ ଓ ଆପର ବ୍ୟବହାର ବିଗତ ଚାରି ବର୍ଷରେ କ୍ରମାଗତ ବଢ଼ିଛି । ୨୦୨୦ରେ ୨୦ ପ୍ରତିଶତରୁ ୨୦୨୧ରେ ୨୪ ପ୍ରତିଶତ ଓ ୨୦୨୨ରେ ୨୩ ପ୍ରତିଶତ ସମ୍ୱାଦ ନିମନ୍ତେ ୱେବସାଇଟ ଓ ଆପ ଉପରେ ନିର୍ଭରଶୀଳ ଥିଲେ । ଅନ୍ୟପକ୍ଷରେ ସର୍ଚ୍ଚ ଇଞ୍ଜିନ ଓ ସୋସିଆଲ ମିଡ଼ିଆର ବ୍ୟବହାର ହାର ସମାନ ରହିଆସିଛି । ପଡ଼କାଷ୍ଟର ଲୋକପ୍ରିୟତା ମଧ୍ୟ ବଢ଼ିଛି । ୨୦୨୦ରେ ତିନି ପ୍ରତିଶତ, ୨୦୨୧ ଓ ୨୦୨୨ରେ ଚାରି ପ୍ରତିଶତ ପଡ଼କାଷ୍ଟ ବ୍ୟବହୃତ ହେଉଥିଲା ।

 

ସମ୍ୱାଦ ଆହରଣରେ ଯୁକ୍ତରାଷ୍ଟ୍ର ଆମେରିକାର ପରିସଂଖ୍ୟାନ ଆନ୍ତର୍ଜାତିକସ୍ତରରେ ସର୍ବତ୍ର ପ୍ରଯୁଜ୍ୟ ନୁହେଁ । ତେବେ ଗଣମାଧ୍ୟମ ଅଧ୍ୟୟନରେ ସେଠାକାର ସମ୍ୱାଦ ଆହରଣ ତଥ୍ୟାବଳୀ ତିନିଗୋଟି କାରଣରୁ ଚର୍ଚ୍ଚାର ପରିସରଭୁକ୍ତ ହୋଇଥାଏ । ପ୍ରଥମତଃ, ଯୁକ୍ତରାଷ୍ଟ୍ର ଆମେରିକାରେ ଅନବରତ ସମ୍ୱାଦ ଉପଭୋକ୍ତାଙ୍କ ଆଚ଼ରଣ ଅନୁଧ୍ୟାନ କରାଯାଇଥାଏ ଏବଂ ସମସ୍ତ ତଥ୍ୟ ସହଜରେ ମିଳେ । ଦ୍ୱିତୀୟତଃ, ଏହି ଅଧ୍ୟୟନ ଦୀର୍ଘ କାଳ ଧରି ଚାଲିଆସିଥିବା ହେତୁ ତୁଳନାତ୍ମକ ସମୀକ୍ଷା ନିମନ୍ତେ ସୁଯୋଗ ସୃଷ୍ଟି ହୁଏ । ତୃତୀୟତଃ, ସେଠାକାର ସର୍ବେକ୍ଷଣଗୁଡ଼ିକ ବିଜ୍ଞାନସମତ୍ତ ଧାରାରେ ପ୍ରଯୋଜିତ ହେଉଥିବା ଏବଂ ସର୍ବେକ୍ଷଣରେ ସାଧାରଣ ନାଗରିକ ଅଂଶଗ୍ରହଣ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ହେତୁ ସଂଗୃହୀତ ତଥ୍ୟାବଳୀ ପ୍ରକୃତ ଚ଼ିତ୍ର ପ୍ରଦାନ କରିଥାଏ ।

 

ବିକାଶଶୀଳ ସାମାଜିକ ବ୍ୟବସ୍ଥାରେ ଗଣମାଧ୍ୟମ ଅଧ୍ୟୟନ ନିମନ୍ତେ ପର୍ଯ୍ୟାପ୍ତ ଖର୍ଚ୍ଚ ବ୍ୟବସ୍ଥା ଅଭାବ । ଫଳରେ ନମୂନା ନିର୍ବାଚ଼ନ ଓ ଆବଶ୍ୟକୀୟ ତଥ୍ୟ ସଂଗ୍ରହରେ ଅସୁବିଧା ପହଞ୍ଚେ । ସ୍ଥାନୀୟ ଜନସାଧାରଣ ସର୍ବେକ୍ଷଣରେ ଅଂଶଗ୍ରହଣ କରିବା ନିମନ୍ତେ ସଚ଼େତନ ନଥିବା ହେତୁ ଅମଙ୍ଗ ହୁଅନ୍ତି କିମ୍ୱା ଭୂଲ ତଥ୍ୟ ପ୍ରଦାନ କରନ୍ତି । ଫଳରେ ସଂଗୃହୀତ ତଥ୍ୟରେ ପ୍ରକୃତ ଅବସ୍ଥା ପ୍ରତିଫଳିତ ହୋଇପାରେ ନାହିଁ । କୌଣସି ଗବେଷଣା ଦୀର୍ଘ କାଳ ଧରି ଆୟୋଜନ କରାଯାଇ ନପାରିଲେ ତୁଳନାତ୍ମକ ଚ଼ିତ୍ର ପାଇବା ସମ୍ଭବ ହୁଏ ନାହିଁ । ଅନ୍ୟପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାର ଗବେଷଣାଲବ୍ଧ ତଥ୍ୟାବଳୀ ଅନ୍ୟାନ୍ୟ ଅଞ୍ଚଳରେ ସମଭାବେ ପ୍ରତିଫଳିତ ନ ହୋଇପାରେ । ତେବେ ତଥ୍ୟ ଓ ଗବେଷଣା ଅଭାବରେ ଗଣମାଧ୍ୟମ ବିଶ୍ଳେଷକମାନେ ମାର୍କିନ ଗଣମାଧ୍ୟମ ନିଷ୍କର୍ସଗୁଡ଼ିକୁ ସାଙ୍କେତିକ ଧାରା ଭାବେ ଗ୍ରହଣ କରିଥାନ୍ତି ।

 

କ୍ରମାଗତ ସର୍ବେକ୍ଷଣରୁ ଜଣାଯାଇଛି ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୨୩ ସୁଦ୍ଧା ବିଗତ ସାତ ବର୍ଷରେ ଜନସାଧାରଣଙ୍କ ମଧ୍ୟରେ ସମ୍ୱାଦ ପ୍ରତି ଆଗ୍ରହ କମି ଆସିବାରେ ଲାଗିଛି । ୨୦୧୬ରେ ୫୧ ପ୍ରତିଶତ ସମ୍ୱାଦ ପ୍ରତି ଆଗ୍ରାହାନ୍ୱିତ ଥିବା ସ୍ଥଳେ ୨୦୧୭ରେ ୪୯ ପ୍ରତିଶତ, ୨୦୧୮ରେ ୫୨ ପ୍ରତିଶତ, ୨୦୧୯ରେ ୪୬ ପ୍ରତିଶତ, ୨୦୨୦ରେ ୪୫ ପ୍ରତିଶତ, ୨୦୨୧ରେ ୩୭ ପ୍ରତିଶତ ଓ ୨୦୨୨ରେ ୩୮ ପ୍ରତିଶତ ସମ୍ୱାଦ ପ୍ରତି ଆଗ୍ରହ ପ୍ରକାଶ କରୁଥିଲେ । ଏହି ପ୍ରବାହ ଭାରତରେ ସମଭାବେ ପ୍ରତିଫଳିତ ହେଉଥିବା ପ୍ରମାଣ ନଥିଲେ ସୁଦ୍ଧା ଡ଼ିଜିଟାଲ ମଞ୍ଚର ପ୍ରସାରରେ ସମ୍ୱାଦ ସହ ବିଭିନ୍ନ ଉପାଦାନ ଜନସାଧାରଣ ସ୍ମାର୍ଟଫୋନ ଯୋଗେ ହାତପାଆନ୍ତାରେ ପାଇପାରୁଥିବା ଅବସରରେ ସମ୍ୱାଦ ପ୍ରତି ଆଗ୍ରହାନ୍ୱିତ ନଥିବା ଅନୁମାନ କରାଯାଇପାରେ ।

 

ଭାରତରେ ସମ୍ୱାଦ ବିମୁଖ ପରିବେଶ ସୃଷ୍ଟିର ବିଭିନ୍ନ କାରଣ ମଧ୍ୟରେ ସାଧାରଣ ଜନଜୀବନ ଉପଯୋଗୀ ସମ୍ୱାଦ ପରିବେଷଣ ଅଭାବ, ଅଧିକ ରାଜନୀତିକ ସମ୍ୱାଦ ଓ ପକ୍ଷପତିତା ଇତ୍ୟାଦିକୁ ଚ଼ିହ୍ନଟ କରାଯାଇପାରେ । ଉଭୟ ପାରମ୍ପରିକ ଓ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ପରିବେଷଣରେ ବିଶ୍ୱନୀୟତା ହାନୀ ସମ୍ୱାଦ ମଞ୍ଚଗୁଡ଼ିକ ପକ୍ଷଭୁକ୍ତ ସାମ୍ୱାଦିକତାର ପ୍ରତିନିଧି ରୂପେ ଗଢ଼ିତୋଳିବାରେ ପର୍ଯ୍ୟବଶିତ । ଏହି ପରିବେଶରେ ଇଣ୍ଟରନେଟର ପ୍ରସାର ଓ ସ୍ମାର୍ଟଫୋନ ଉପଭୋକ୍ତା ବୃଦ୍ଧି ଭାରତରେ ମଧ୍ୟ ଅନ୍ୟାନ୍ୟ ବିକଶିତ ସମାଜର ଗଣମାଧ୍ୟମ ପ୍ରବାହ ପ୍ରତିବିମ୍ୱିତ କରିବା ଆକଳନକୁ ଦୃଢ଼ୀଭୂତ କରିଥାଏ ।

 

‘ପିଉ ରିସର୍ଚ୍ଚ’ ସର୍ବେକ୍ଷଣ ଫଳାଫଳରେ ସମସ୍ତ ବୟସବର୍ଗରେ ସମ୍ୱାଦପ୍ରତି ଆଗ୍ରହ କମି ଆସୁଥିବା ଦର୍ଶାଯାଇଛି । ସାଧାରଣରେ ଯୁବବର୍ଗରେ ସମ୍ୱାଦ ବିମୁଖ ମନୋଭାବ ସ୍ପଷ୍ଟ ବାରି ହେଉଥିବା ସ୍ଥଳେ ବୟସ୍କ ଗୋଷ୍ଠୀ ପାରମ୍ପରିକ ଭାବେ ସମ୍ୱାଦ ମଞ୍ଚର ପୃଷ୍ଠପୋଷକତା କରି ଆସିଥିଲେ । କିନ୍ତୁ ସେଥିରେ ମଧ୍ୟ ଅଧୋଗତି ଦେଖା ଦେଇଛି । ୬୫ ବର୍ଷୋତ୍ତରଙ୍କ ମଧ୍ୟରେ ୨୦୧୬ରେ ୭୫ ପ୍ରତିଶତ ସମ୍ୱାଦ ଉପଭୋକ୍ତାଥିବା ସ୍ଥଳେ ୨୦୨୨ରେ ୬୪ ପ୍ରତିଶତକୁ ଖସି ଆସିଛି । ୧୮ରୁ ୨୯ ବର୍ଷ ବୟସ୍କଙ୍କ ମଧ୍ୟରୁ ୨୦୧୬ରେ ୨୭ ପ୍ରତିଶତ ସମ୍ୱାଦ ମଞ୍ଚ ପ୍ରତି ଆଗ୍ରହ ପ୍ରକାଶ କରୁଥିଲେ ଏବଂ ୨୦୨୨ରେ ସେମାନଙ୍କ ସଂଖ୍ୟା ୧୯ ପ୍ରତିଶତକୁ ହ୍ରାସ ପାଇଛି । ଏହି ପରିସଂଖ୍ୟାନରୁ ଭାରତ ତଥା ଓଡ଼ିଶାର ସମ୍ୱାଦ ମଞ୍ଚଗୁଡ଼ିକ ନିଜ ସ୍ଥିତି ବଞ୍ଚାଇ ରଖିବା ନିମନ୍ତେ ୫୦ ବର୍ଷୋତ୍ତର ପାଠକଙ୍କ ରୁଚ଼ି ପ୍ରତି ଧ୍ୟାନ ଦେବା ଆବଶ୍ୟକତା ପ୍ରମାଣିତ ହୋଇଥାଏ । ୫୦ ରୁ ୬୪ ବର୍ଷ ବୟସ୍କଙ୍କ ମଧ୍ୟରୁ ୪୬ ପ୍ରତିଶତ ୨୦୨୨ ସୁଦ୍ଧା ସମ୍ୱାଦ ମଞ୍ଚ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ବେଳେ ୩୦ ରୁ ୪୯ ବର୍ଷ ବୟସବର୍ଗରେ ମାତ୍ର ୨୭ ପ୍ରତିଶତରେ ସୀମିତ ।

 

ସାମ୍ୱାଦିକତାରେ ନୂତନତ୍ୱ ଦୈନନ୍ଦିନଭିତ୍ତିରେ ଆଶା କରାଯାଉଥିବା ସ୍ଥଳେ ସାଧାରଣରେ ସମ୍ପାଦକୀୟ ନୀତିରେ ପରିବର୍ତ୍ତନ ଅତ୍ୟନ୍ତ କଷ୍ଟସାଧ୍ୟ ଅନୁଭୂତ ହୋଇଥାଏ । ଏକପକ୍ଷରେ ପ୍ରଚଳିତ ଢାଞ୍ଚାରେ ସମ୍ପାଦକ ଓ ସାମ୍ୱାଦିକମାନେ ଅଭ୍ୟସ୍ତ ହୋଇସାରିଥିବା ଏବଂ ଅଧ୍ୟୟନ, ତାଲିମ ଓ ପ୍ରୋତ୍ସାହନ ଅଭାବରୁ ନୂତନତ୍ୱ ପ୍ରତି ଉଦାସୀନତା ପ୍ରକାଶ କରିଥାନ୍ତି । ଅପରପକ୍ଷରେ ପରିବର୍ତ୍ତନ ଉଭୟ ସୃଜନ ଓ ନିବେଶ ଆବଶ୍ୟକ କରୁଥିବା ବେଳେ ଅଧିକାଂଶ ସମ୍ୱାଦ ମଞ୍ଚରେ ସମ୍ୱଳ ଅଭାବ ପ୍ରତିବନ୍ଧକ ରୂପେ ଦଣ୍ଡାୟମାନ ହୁଏ । ତେବେ ଏହି ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ପ୍ରତ୍ୟେକ ମଞ୍ଚ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରିବା ସଂମ୍ଭବ । ସାମଗ୍ରିକଭାବେ ସମ୍ୱାଦ ମଞ୍ଚ ଗୁରୁତ୍ୱ ହରାଉଥିବା ଅବସରରେ ପୁନଋଦ୍ଧାର ଉଦ୍ୟମ ଅଭାବ ଆତ୍ମଘାତୀ ସାବ୍ୟସ୍ତ ହେବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ।       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୨୩


ତଥ୍ୟ:

 

Pew Research Center. News Platform Fact Sheet / November 15, 2023

 

https://www.pewresearch.org/journalism/fact-sheet/social-media-and-news-fact-sheet/?utm

 

Pew Research Center. American are following the news less closely than they used to / October 24, 2023

 

https://www.pewresearch.org/short-reads/2023/10/24/americans-are-following-the-news-less-closely-than-they-used-to/

ପଞ୍ଚମ ସ୍ତମ୍ଭ

ସାଧାରଣ ବିଚାରରେ ଗଣତନ୍ତ୍ର ବ୍ୟବସ୍ଥାପକ, ପ୍ରଶାସନ ଓ ନ୍ୟାୟଳୟ ତିନିଗୋଟି ସ୍ତମ୍ଭକୁ ନେଇ ଗଢ଼ି ଉଠିଥିବା ସ୍ଥଳେ ଗଣମାଧ୍ୟମ ଚ଼ତୁର୍ଥ ସ୍ତମ୍ଭ ଭାବେ ସେଗୁଡ଼ିକର କାର୍ଯ୍ୟକାରିତା ସଂପର୍କରେ ନାଗରିକଙ୍କୁ ଅବଗତ କରାଇବା ତଥା ସମୀକ୍ଷା ନିମନ୍ତେ ମଞ୍ଚ ପ୍ରସ୍ତୁତିରେ ସହାୟକ ହୋଇଥାଏ । ଯେକୌଣସି ସାର୍ବଜନୀନ କାର୍ଯ୍ୟଧାରାରେ ଅନୁସୃତ ପ୍ରଣାଳୀଗୁଡ଼ିକର ଭୂଲଭଟକା ସଂଶୋଧନ ଆବଶ୍ୟକ କରେ । ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ସ୍ୱାଧୀନ ଗଣମାଧ୍ୟମ ଏହି ସଂଶୋଧନ ପ୍ରକ୍ରିୟାର ଭିତ୍ତିଭୂମି ଗଢ଼ିତୋଳିବା ଦାୟିତ୍ୱ ନିର୍ବାହ କରିଥାଏ । ଗଣତନ୍ତ୍ରରେ ତିନିଗୋଟି ସ୍ତମ୍ଭର ସମୀକ୍ଷା ନିମନ୍ତେ ଉଦ୍ଦିଷ୍ଟ ଚ଼ତୁର୍ଥ ସ୍ତମ୍ଭକୁ ଯଥାସଂଭବ ବିଭିନ୍ନ ସାମାଜିକସ୍ତରରେ ନିୟନ୍ତ୍ରଣମୁକ୍ତ ରଖିବା ନିମନ୍ତେ ନୀତି ନିର୍ଦ୍ଧାରଣକୁ ପ୍ରାଥମିକତା ଦିଆଯାଇଥାଏ ।


 

ସାମ୍ୱାଦିକତା ସମ୍ୱାଦ ସଂଗ୍ରହ, ସୃଜନ ଓ ପ୍ରସାରଣ ପ୍ରକ୍ରିୟାକୁ ବୁଝାଏ । ସ୍ୱାଧୀନ, ସତ୍ୟ ଓ ନିରପେକ୍ଷ ସମ୍ୱାଦ ପରିବେଷଣ ସାମ୍ୱାଦିକତାର ମୂଳମନ୍ତ୍ର । ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ଜନମତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ହେତୁ ଗଣମାଧ୍ୟମ ଜରିଆରେ ଜନମତକୁ ପ୍ରଭାବିତ କରିବା ନିମନ୍ତେ ସମାଜର ବିଭିନ୍ନ ବର୍ଗରୁ ଉଦ୍ୟମ ହୋଇଥାଏ । ଏଥି ନିମନ୍ତେ ପ୍ରେସବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମ ନିକଟରେ ନିଜ ପକ୍ଷ ସଂବଳିତ ସୂଚ଼ନା ପହୁଞ୍ଚାଇବା ପ୍ରଥା ପ୍ରଚଳିତ । ଆନୁଷ୍ଠାନିକ ଲୋକ ସଂପର୍କର ଅଂଶବିଶେଷ ଏହି ଧାରା ସମୟକ୍ରମେ ଶକ୍ତିଶାଳୀ ହେବାରେ ଲାଗିଛି । କୁହାଯାଏ ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ଗଣମାଧ୍ୟମ ପରିବେଶରେ ଜଣେ ସାମ୍ୱାଦିକ ନିଯୁକ୍ତ ଥିବା ସ୍ଥଳେ ଛଅ ଜଣ ଲୋକସଂପର୍କ ଅଧିକାରୀ କାର୍ଯ୍ୟରତ । ଏହି ପରିସଂଖ୍ୟାନ ଗଣମାଧ୍ୟମକୁ ପ୍ରଭାବିତ କରିବା ପ୍ରଚେଷ୍ଟା ତୀବ୍ରତାର ସୂଚ଼ନା ଦିଏ ।


 

ସମ୍ୱାଦ ସଂସ୍ଥାଗୁଡ଼ିକ ନିକଟରେ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ନିଜ ପକ୍ଷ ସମ୍ୱଳିତ ସୂଚ଼ନା ପହୁଞ୍ଚାଇବା ଦୋଷାବହ ନୁହେଁ । ଗଣତନ୍ତ୍ରରେ ସମସ୍ତଙ୍କ ମୁକ୍ତମତ ପ୍ରକାଶର ଅଧିକାର ରହିଛି । ସାମ୍ୱାଦିକମାନେ କୌଣସି ବ୍ୟକ୍ତିବିଶେଷ କିମ୍ୱା ସଂସ୍ଥାର ପ୍ରେସ ବିଜ୍ଞପ୍ତିକୁ ବ୍ୟବହାର କରିବେ ନା ନାହିଁ ତାହା ସଂପୃକ୍ତ ସାମ୍ୱାଦିକ ତଥା ତାଙ୍କରି ନିଯୁକ୍ତିଦାତା ସମ୍ୱାଦ ସଂସ୍ଥା ନିର୍ଦ୍ଧାରଣ କରିଥାନ୍ତି । ନୀତିଗତ ଭାବେ ସାମ୍ୱାଦିକମାନେ ସମ୍ୱାଦ ସୂତ୍ର ‘ନିଉଜ ସୋର୍ସ’ଗୁଡ଼ିକୁ ଉତ୍ସାହିତ କରିବା କଥା, କାରଣ ଏତଦ୍ୱାରା ହିଁ ସମାଜର କୋଣଅନୁକୋଣରୁ ସମ୍ୱାଦ ସଂଗ୍ରହ ସଂଭବପର ହୋଇଥାଏ । ପ୍ରେସ ବିଜ୍ଞପ୍ତିଗୁଡ଼ିକୁ ସମ୍ୱାଦର ଉତ୍ସ ‘ନିଉଜ କ୍ୟୁ’ ଭାବେ ଗ୍ରହଣ କରି ସେ ସଂପର୍କରେ ଅଧିକ ଅନୁସନ୍ଧାନ ତଥା ପ୍ରତିପକ୍ଷଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଉଦ୍ୟମ ଆବଶ୍ୟକ । ଏତଦ୍ୱାରା ସତ୍ୟ ଓ ନିରପେକ୍ଷ ସମ୍ୱାଦ ପ୍ରଯୋଜନା ସଂଭବପର । କିନ୍ତୁ ଦୁର୍ବଳ ଗଣମାଧ୍ୟମ ପରିବେଶରେ ପ୍ରେସବିଜ୍ଞପ୍ତିକୁ ଭିତ୍ତିକରି ସତ୍ୟ ଉଦଘାଟନ ପରିବର୍ତ୍ତେ ପ୍ରେସବିଜ୍ଞପ୍ତିକୁ ହିଁ ସମ୍ୱାଦ ରୂପେ ପ୍ରକାଶନର ଧାରା ସୁସ୍ପଷ୍ଟ ହେବାରେ ଲାଗିଛି ।


 

ପ୍ରେସ ବିଜ୍ଞପ୍ତିର ବହୁଳ ବ୍ୟବହାର ସାମ୍ୱାଦିକତାର ମୌଳିକ ଆଭିମୁଖ୍ୟର ବିରୁଦ୍ଧାଚରଣ କରେ । ଲୋକହିତକଳ୍ପେ ଜନଜୀବନର ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସାମଗ୍ରୀକ ବିବରଣୀ ସମ୍ୱାଦ ପର୍ଯ୍ୟାୟଭୁକ୍ତ ହେଉଥିବା ସ୍ଥଳେ ସମ୍ୱାଦ ରଚନା କେବଳ ପ୍ରେସ ବିଜ୍ଞପ୍ତି ଆଧାରିତ ହେଲେ ମୂଳ ଉଦ୍ଦେଶ୍ୟ ସାଧିତ ହୋଇପାରେ ନାହିଁ । ବ୍ୟବସ୍ଥାପକ, ପ୍ରଶାସନ ଓ ନ୍ୟାୟାଳୟର କାର୍ଯ୍ୟକାରିତା ସମୀକ୍ଷା ବଦଳରେ ଅସତ୍ୟ, ଅତିରଞ୍ଜିତ, ଏପରିକି ସ୍ଥଳବିଶେଷରେ ପ୍ରଶସ୍ତିଗାନରେ ସୀମିତ ରହେ । ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ଚ଼ତୁର୍ଥସ୍ତମ୍ଭ ବଦଳରେ ପଞ୍ଚମସ୍ତମ୍ଭରେ ରୂପାନ୍ତରିତ ହୋଇଯାଉଥିବା ସମାଲୋଚକମାନେ ପରିହାସ ଛଳରେ କହିଥାନ୍ତି । ଏହାକୁ ଛାୟା ସାମ୍ୱାଦିକତା ‘ସେଡ଼ୋ ଜର୍ଣ୍ଣାଲିଜମ’ ମଧ୍ୟ ନାମିତ କରାଯାଇଥାଏ ।


 

ସାଂପ୍ରତିକ ପରିପ୍ରେକ୍ଷୀରେ ଭାରତୀୟ ଆଞ୍ଚଳିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ମଧ୍ୟରୁ ମୁଦ୍ରିତ ଦୈନିକ ସମ୍ୱାଦପତ୍ରରେ ପ୍ରେସବିଜ୍ଞପ୍ତି ସମୃଦ୍ଧ ସାମ୍ୱାଦିକତା ବ୍ୟାପ୍ତିର ବହୁ କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ, ସଂଖ୍ୟାଧିକ ଦୈନିକ ସମ୍ୱାଦପତ୍ର ପ୍ରକାଶନ ହେତୁ ସେଗୁଡ଼ିକର ସଂସ୍କରଣଗୁଡ଼ିକ ପ୍ରଯୋଜନା ନିମନ୍ତେ ପର୍ଯ୍ୟାପ୍ତ ସଂଖ୍ୟକ ସାମ୍ୱାଦିକ ଓ ସମ୍ପାଦକମାନଙ୍କ ଅଭାବ ପରିଲକ୍ଷିତ । ଓଡ଼ିଶାରେ ୮୩ ଗୋଟି ଦୈନିକ ସମ୍ୱାଦପତ୍ର ପ୍ରକାଶିତ ହେଉଥିବା ରାଜ୍ୟସରକାରଙ୍କ ପକ୍ଷରୁ ବିଧାନସଭା ପ୍ରଶ୍ନୋତ୍ତର କାଳରେ ଦର୍ଶାଯାଇଥିଲା । ଏଥି ମଧ୍ୟରୁ ଅନେକ ଅନିୟମିତଭାବେ ପ୍ରକାଶିତ ହେଉଥିବା ବିଶ୍ୱାସ କରାଗଲେ ସୁଦ୍ଧା ବହୁ ସଂଖ୍ୟକ ସଂସ୍କରଣ ଓ ପୃଷ୍ଠା ନିମନ୍ତେ ମୌଳିକ ସମ୍ୱାଦ ରଚନା ପ୍ରାୟତଃ ଅସଂଭବ ମନେ କରାଯାଇପାରେ ।


 

ଦ୍ୱିତୀୟତଃ, ଦେଶର ଆଞ୍ଚଳିକ ଦୈନିକ ସମ୍ୱାଦପତ୍ରଗୁଡ଼ିକପକ୍ଷରୁ ନଗଣ୍ୟ ସଂଖ୍ୟାରେ ପ୍ରକାଶନସ୍ଥଳ-ପାର ସହର ଗୁଡ଼ିକରେ ବୃତ୍ତିଧାରୀ ସମ୍ୱାଦଦାତାଙ୍କୁ ନିଯୁକ୍ତ କରାଯାଇଥାଏ ଏବଂ ଗ୍ରାମାଞ୍ଚଳର ପ୍ରାୟ ସମସ୍ତେ ଅଧିସ୍ୱୀକୃତ ମାତ୍ର । ସମ୍ୱାଦଦାତା ଜୀବିକା ନିର୍ବାହ ନିମନ୍ତେ ଭିନ୍ନ ବୃତ୍ତିରେ ନିୟୋଜିତ ଥାନ୍ତି । ସାମ୍ୱାଦିକତା ଏକ ସଉକ କିମ୍ୱା ସାମାଜିକ ସ୍ୱୀକୃତିର ଉପାଦାନ ରୂପେ ଗ୍ରହଣ କରାଯାଉଥିବା ହେତୁ ସାମ୍ୱାଦିକତାର କଳାକୌଶଳ ଆୟତ୍ତ କରିବା ନିମନ୍ତେ ସେମାନେ ଆଗ୍ରହ ପ୍ରକାଶ କରିନଥାନ୍ତି । ଫଳରେ ସାମୟିକଭାବେ ସାମ୍ୱାଦିକତାରେ ସଂପୃକ୍ତି ସମ୍ୱାଦ ରଚନା ନିମନ୍ତେ ପ୍ରେସ ବିଜ୍ଞପ୍ତି ଆଶ୍ରିତ ହୋଇପଡ଼ିଥାଏ । ଅର୍ଥାତ କୌଣସି ଏକ ଘଟଣାକ୍ରମରେ ପ୍ରଭାବିତ ପକ୍ଷ ଦ୍ୱାରା ପ୍ରସ୍ତୁତ ବିବରଣୀ ସମ୍ୱାଦ ଆକାରରେ ପ୍ରକାଶନ ନିମନ୍ତେ ଉପସ୍ଥାପନ କରାଯାଏ । ସେଥିରେ ପ୍ରତିପକ୍ଷ ନିଜ ଅଭିମତ ବ୍ୟକ୍ତ କରିବାର ସୁଯୋଗ ନଥାଏ ।


 

ତୃତୀୟତଃ, ସମ୍ୱାଦ ରଚନା ନିମନ୍ତେ ତଥ୍ୟ ସଂଗ୍ରହ ଓ ସୃଜନରେ ଦକ୍ଷତା ଆବଶ୍ୟକ ଥିବା ସ୍ଥଳେ ଭାରତୀୟ ଆଞ୍ଚଳିକ ସମ୍ୱାଦପତ୍ରଗୁଡ଼ିକ ସହ ସଂପୃକ୍ତ ସମ୍ୱାଦଦାତା କିମ୍ୱା ସମ୍ପାଦକମାନଙ୍କ ନିମନ୍ତେ ତାଲିମର ସୁବିଧାସୁଯୋଗ ଅଭାବ ଅନୁଭୂତ ହୁଏ । ପାରମ୍ପରିକଭାବେ ଓଡ଼ିଶାରେ ଜରୁରିକାଳୀନ ପରିସ୍ଥିତି ପୂର୍ବାବସ୍ଥା ଯାଏଁ କମ ସଂଖ୍ୟକ ଦୈନିକ ସମ୍ୱାଦପତ୍ର ପ୍ରକାଶିତ ହେଉଥିବା ଏବଂ ବୃତ୍ତିଧାରୀ ସାମ୍ୱାଦିକମାନେ ସମ୍ପାଦକ ପଦବୀରେ ନିଯୁକ୍ତି ପାଉଥିବା ହେତୁ ଅଧିସ୍ୱୀକୃତ ସମ୍ୱାଦଦାତାମାନଙ୍କୁ ସମ୍ପାଦକମାନେ ମାର୍ଗଦର୍ଶନ ‘ମେନଟରିଂ’ କରିଆସୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ପାଦକମାନେ ପ୍ରକାଶନ ଦାୟିତ୍ୱ ସମ୍ଭାଳିବା କିମ୍ୱା ଅନ୍ୟ ବୃତ୍ତିରେ ସଂପୃକ୍ତ ରହିବା ତଥା ସ୍ଥଳବିଶେଷରେ ସମ୍ପାଦନା କଳାକୌଶଳରେ ଅଭିଜ୍ଞତା ଅଭାବ ସମ୍ୱାଦପତ୍ର ସଂସ୍ଥା ପକ୍ଷରୁ ତାଲିମକୁ ଅନେକାଂଶରେ ଶୀଥିଳ କରିପକାଇଲା । କ୍ରମବର୍ଦ୍ଧମାନ ଆନୁଷ୍ଠାନିକ ସାମ୍ୱାଦିକତା ତାଲିମ ପ୍ରତିଷ୍ଠାନମାନ ଏହି କ୍ଷେତ୍ରରେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିପାରିଲେ ନାହିଁ ।


 

ସମ୍ୱାଦ ମଞ୍ଚଗୁଡ଼ିକରେ ସମ୍ୱାଦ ଓ ଅଭିମତ ଉଭୟ ଅଭିନ୍ନ ଅଙ୍ଗ । ତେବେ ସମ୍ୱାଦରେ ଅଭିମତ ସ୍ଥାନିତ କରିବା ଦୋଷାବହ । ଦୁଇଗୋଟି ବର୍ଗର ରଚନା ସ୍ୱତନ୍ତ୍ରଭାବେ ପ୍ରକାଶିତ ହେବା ବିଧ୍ୟେୟ । ପ୍ରଶାସନ, ରାଜନୀତିକ ଦଳ, ଶିଳ୍ପପତି ଓ ବ୍ୟବସାୟୀମାନଙ୍କ ପକ୍ଷରୁ ବହୁ ସମୟରେ ସମ୍ୱାଦ ମଞ୍ଚଗୁଡ଼ିକ ଉପଯୋଗରେ ଜନସାଧାରଣଙ୍କ ନିକଟରେ ସୂଚ଼ନା ପ୍ରସାରଣ ନିମନ୍ତେ ଉଦ୍ୟମ କରାଯାଇଥାଏ । ଗଣମାଧ୍ୟମ ପକ୍ଷରୁ ଏଥିରେ ସହାୟତା ପ୍ରଦାନରେ ସମସ୍ୟା ନଥିଲେ ହେଁ ସେମାନଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଉଦ୍ଦେଶ୍ୟପ୍ରଣୋଦିତ ହେବା ସ୍ୱାଭାବିକ । ଏହି ପରିସ୍ଥିତିରେ ସାମ୍ୱାଦିକ ଏକନିଷ୍ଠଭାବେ ସେମାନଙ୍କ ସୂତ୍ରରୁ ପ୍ରସାରିତ ତଥ୍ୟାବଳୀ ବିନା ସମୀକ୍ଷାରେ ସମ୍ୱାଦର ଅଂଶରୂପେ ପ୍ରକାଶନକଲେ ଭୂଲଭଟ୍ଟକାର ଭୟ ଲାଗିରହିଥାଏ ।


 

ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ବିଜ୍ଞାପନ ପର୍ଯ୍ୟାୟରେ ଦେୟପ୍ରାପ୍ତ ସମ୍ୱାଦ ‘ଏଡ଼ଭୋଟୋରିଆଲ’ ପ୍ରକାଶନର ବ୍ୟବସ୍ଥା ଉପଲବ୍ଧ । ତେବେ ଏଭଳି ବିଜ୍ଞାପନଧର୍ମୀ ସମ୍ୱାଦଗୁଡ଼ିକ ସ୍ୱତନ୍ତ୍ରଭାବେ ଚ଼ିହ୍ନିତ ହେବା ତଥା ଆବଶ୍ୟକସ୍ଥଳେ ସ୍ୱତନ୍ତ୍ର ପୃଷ୍ଠାରେ ସ୍ଥାନିତ ହେଲେ ସାମ୍ୱାଦିକତାର ମୌଳିକ ନୀତିନିୟମ ଉଲଂଘନ ହୋଇନଥାଏ । ସମ୍ୱାଦ, ଅଭିମତ ଓ ବିଜ୍ଞାପନ ମଧ୍ୟରେ ସ୍ପଷ୍ଟ ସୀମାରେଖା ଅଙ୍କିତ ନ ହୋଇପାରିଲେ ତାହା ଏକ ପକ୍ଷରେ ଗୁଣାତ୍ମକ ସାମ୍ୱାଦିକତାରେ ଅଙ୍କୁଶ ସୃଷ୍ଟି କରୁଥିବା ସ୍ଥଳେ ଅପରପକ୍ଷରେ ଦୀର୍ଘସୂତ୍ରରେ ପାଠକୀୟ ବିଶ୍ୱାସନୀୟତା ହରାଏ । ଏହା ସମ୍ୱାଦମଞ୍ଚର ପରିଚିତି ଓ ବ୍ୟବସାୟହାନୀର କାରଣ ପାଲଟେ ।


 

ମୌଳିକଭାବେ ଯାହା ଘଟିଲା ତାହା ସମ୍ୱାଦ । କିନ୍ତୁ ସମକାଳରେ ସମ୍ୱାଦମଞ୍ଚଗୁଡ଼ିକ ସମ୍ୱାଦ ପ୍ରଯୋଜନାରେ ପ୍ରଶାସନିକ ସୂତ୍ରକୁ ଗୁରୁତ୍ୱ ଦେଉଥିବା ହେତୁ ଯାହା ଯୋଜନା କରାଯାଇଛି ବା ଘଟିବାର ଆଶା କରାଯାଉଛି ତାହାକୁ ସମ୍ୱାଦ ରୂପେ ପ୍ରକାଶ କରାଯାଉଛି । ଫଳରେ ‘ବର୍ତ୍ତମାନ’ ଅପେକ୍ଷା ‘ଭବିଷ୍ୟତ’ ସମ୍ୱାଦ ପ୍ରସାରଣରେ ଗୁରୁତ୍ୱଲାଭ କରୁଛି ଏବଂ ଆଶ୍ଚର୍ଯ୍ୟଜନକଭାବେ ‘ଅତୀତ’କୁ ଭୂଲି ଯାଉଛି । ପ୍ରଶାସନିକସ୍ତରରେ କ’ଣ କାର୍ଯ୍ୟ ସରିଛି ଏବଂ ତଦ୍ଦ୍ୱାରା ଜନସାଧାରଣ କିଭଳି ପ୍ରଭାବିତ ହୋଇଛନ୍ତି ତାହା ସମ୍ୱାଦରଭିତ୍ତି ହେବା ସ୍ଥଳେ ପାଠକକୁ ବାସ୍ତବତାରୁ ଦୂରେଇ ସ୍ୱପ୍ପ୍ନିଳ ଭବିଷ୍ୟତକୁ ଠେଲି ଦିଆଯାଉଛି । ପ୍ରଦତ୍ତ ପ୍ରତିଶୃତିଗୁଡ଼ିକ କେତେଦୂର ପୂରଣ ହୋଇଛି ତାହାର ହିସାବନିକାଶ ସର୍ବସାଧାରଣଙ୍କ ଚର୍ଚ୍ଚାର ପରିସରକୁ ଆସିପାରୁ ନାହିଁ । ଏହି ପ୍ରବାହରେ ସାମ୍ୱାଦିକତା ନିଜସ୍ୱ ଗୁରୁତ୍ୱ ହରାଉଥିବା ପ୍ରତୀୟମାନ ହୋଇଥାଏ ।


 

ମାନବ ସଭ୍ୟତାର ଉନ୍ମେଷକାଳରେ ଅରଣ୍ୟରେ ଜୀବନଯାପନ ବେଳେ ହିଂସ୍ରପଶୁଙ୍କ ଆଗମନ ସଂପର୍କରେ ସମଗୋତ୍ରଙ୍କୁ ସୂଚାଇ ଦେବା ନିମନ୍ତେ ଭାଷାର ଅଭାବରେ ମନୁଷ୍ୟର ଅଙ୍ଗଭଙ୍ଗୀ ବା ଚିତ୍କାରକୁ ଯଦି ସାମ୍ୱାଦିକତାର ମୂଳ ଉତ୍ସରୂପେ ଚ଼ିହ୍ନଟ କରିବା, ତେବେ ଜନହିତରେ ଏହାର ସ୍ଥିତି ନିର୍ଣ୍ଣୟ କରାଯାଇପାରେ । ଭାଷା ଓ ଲିପିର ବିକାଶ, ମୁଦ୍ରଣ ଯନ୍ତ୍ର ଉଦ୍ଭାବନ, ରେଡ଼ିଓ, ଟେଲିଭିଜନ, ଇଣ୍ଟରନେଟ ମଞ୍ଚର ବ୍ୟାପ୍ତି ଅବସରରେ ଗଣମାଧ୍ୟମ ପରିବେଶରେ ସାମ୍ୱାଦିକତା ତାହାର ଗୁରୁତ୍ୱ ବଜାୟ ରଖିଛି । ୨୦୨୦ ସୁଦ୍ଧା ବ୍ୟକ୍ତିପିଚ୍ଛା ଗଣମାଧ୍ୟମ ସଂପୃକ୍ତି ବିକଶିତ ରାଷ୍ଟ୍ରଗୁଡ଼ିକରେ ଦଶ ଘଣ୍ଟା ତଥା ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ପାଞ୍ଚ ଘଣ୍ଟା ହିସାବ କରାଯାଉଥିବା ସ୍ଥଳେ ସମ୍ୱାଦମଞ୍ଚଗୁଡ଼ିକୁ ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ନିମନ୍ତେ ବ୍ୟବହାର କରିବା ନିମନ୍ତେ ଅପଚେଷ୍ଟାର ମଧ୍ୟ ଅଭାବ ନାହିଁ । ଏହି ସଂଘର୍ଷପୂର୍ଣ୍ଣ ପରିବେଶରେ ତୃଟିପୂର୍ଣ୍ଣ ବ୍ୟାବସାୟିକନୀତି ସଜାଡ଼ିବା ବଦଳରେ ସମ୍ୱାଦମଞ୍ଚଗୁଡ଼ିକ ସାମ୍ୱାଦିକତାକୁ ପଞ୍ଚମସ୍ତମ୍ଭରେ ପରିବର୍ତ୍ତନର ଅପଚେଷ୍ଟାରୁ କିପରି କ୍ଷାନ୍ତ ରଖାଯାଇପାରିବ ତାହା ଏକ ବଡ଼ ସମସ୍ୟା ।      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁଲାଇ ୨୦୨

ଅନଲାଇନ ସମ୍ୱାଦ ବିତରଣ

‘ଟେଲକମ ରେଗୁଲେଟରୀ ଅଥାରିଟି ଅଫ ଇଣ୍ଡିଆ’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ୮୨ କୋଟି ୫୦ ଲକ୍ଷ ଇଣ୍ଟରନେଟ ଗ୍ରାହକଙ୍କୁ ସେବା ଯୋଗାଇ ଦିଆଯାଉଥିଲା । ଏଥିମଧ୍ୟରେ ୭୯ କୋଟି ୯୦ ଲକ୍ଷ ୱାଏରଲେସ ଥିବା ସ୍ଥଳେ ୨ କୋଟି ୬୦ ଲକ୍ଷ ୱାଇରଡ଼ ଏବଂ ୭୭ କୋଟି ୮୦ ଲକ୍ଷ ବ୍ରଡ଼ବ୍ୟାଣ୍ଡ ଓ ୪ କୋଟି ୭ ଲକ୍ଷ ନେରୋବ୍ୟାଣ୍ଡ ସଂଯୋଗ ଅନ୍ତର୍ଭୁକ୍ତ ।


 

ଅଗ୍ରଣୀ ବାଣିଜ୍ୟ-ବ୍ୟବସାୟ ଗବେଷଣା ପ୍ରତିଷ୍ଠାନ ‘କାନ୍ତାର’ ପକ୍ଷରୁ ପ୍ରକାଶିତ ‘ଆଇକ୍ୟୁବ ୨୦୨୦’ ରିପୋର୍ଟ ଆକଳନରେ ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୨୦୨୦ରୁ ୨୦୨୫ ପାଞ୍ଚ ବର୍ଷ ମଧ୍ୟରେ ୪୫ ପ୍ରତିଶତ ବୃଦ୍ଧିପ୍ରାପ୍ତ ହୋଇ ୯୦ କୋଟିରେ ପହଞ୍ଚିବ । ଏଥିରେ ଦର୍ଶାଯାଇଛି ଯେ ୨୦୨୫ ସୁଦ୍ଧା ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସହରାଞ୍ଚଳକୁ ଟପିବ ।


 

ଦୁଇ ମାର୍କିନ ଗଣମାଧ୍ୟମ ଇ-କମର୍ସ ପରାମର୍ଶଦାତା ‘ମାସ’ ଓ ‘ସେନସର’ ଆନୁକୂଲ୍ୟରେ ଦକ୍ଷିଣ-ପୂର୍ବ ଏସିଆ ଓ ଭାରତରେ ମହାମାରୀ-ପର ଅବସ୍ଥାରେ ଅନଲାଇନ ବ୍ୟବସାୟ ସଂପର୍କରେ ‘ଦି ଡ଼ାନ ଅଫ ନ୍ୟୂ-ଏଜ ସପର ଇନ ଦି ନ୍ୟୂ-ନରମାଲ’ ବିବରଣୀରେ ଭାରତରେ ଇଣ୍ଟରନେଟ ବ୍ୟବହାର ସଂପର୍କୀତ ହିସାବ ୨୦୨୧ ଚ଼ତୁର୍ଥ ତ୍ରୟମାସରେ ପ୍ରକାଶିତ ହୋଇଛି । ଏଥିରେ ଭାରତୀୟମାନେ ଦୈନିକ ହାରାହାରି ୪.୯ ଘଣ୍ଟା ଲକଡ଼ାଉନ ପୂର୍ବରୁ ଅନଲାଇନରେ ସମୟ ଅତିବାହିତ କରୁଥିବା ସ୍ଥଳେ ତାହା ଲକଡ଼ାଉନ ସମୟରେ ୬.୯ ଘଣ୍ଟାକୁ ବୃଦ୍ଧି ପାଇ ଲକଡ଼ାଉନ-ପର ଅବସ୍ଥାରେ ୫.୨ ଘଣ୍ଟା ହିସାବ କରାଯାଇଛି ।


 

ଏହି ତିନିଗୋଟି ବିଶ୍ୱାସଯୋଗ୍ୟ ପ୍ରତିଷ୍ଠାନର ପରିସଂଖ୍ୟାନରୁ ସ୍ପଷ୍ଟ ଜଣାଯାଏ ଯେ ଭାରତରେ ଇଣ୍ଟରନେଟ ଉପଭୋକ୍ତା ସଂଖ୍ୟା ୮୨ କୋଟିରେ ପହଞ୍ଚିଥିବା ସ୍ଥଳେ ୨୦୨୫ ସୁଦ୍ଧା ୯୦ କୋଟିରୁ ଉର୍ଦ୍ଧ୍ୱ ଉପଭୋକ୍ତା ଅନଲାଇନରେ ଉପଲବ୍ଧ ହେବେ । ଏମାନଙ୍କ ମଧ୍ୟରେ ଗ୍ରାମାଞ୍ଚଳ ଓ ବ୍ରଡ଼ବ୍ୟାଣ୍ଡ ବ୍ୟବହାରକାରୀ ସଂଖ୍ୟା ଅଧିକ ରହିବ । ସ୍ଥାନୀୟ ପରିବେଶରେ ଇଣ୍ଟରନେଟ ଉପଭୋକ୍ତା ହାରାହାରି ଦୈନିକ ପାଞ୍ଚ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅନଲାଇନରେ କାଟୁଛନ୍ତି ।


 

ଭାରତରେ ଅର୍ଦ୍ଧାଧିକ ଜନସାଧାରଣ ଇଣ୍ଟରନେଟ ସୁବିଧାସୁଯୋଗ ହାସଲ କରିସାରିଥିବା ଏବଂ ଦୈନିକଭିତ୍ତିରେ ଏକଚ଼ତୁର୍ଥାଂଶ ସମୟ ଅନଲାଇନରେ ଉପସ୍ଥିତି ସ୍ୱାଭାବିକଭାବେ ସେମାନଙ୍କ ବ୍ୟାବହାରିକ ଜୀବନଯାତ୍ରାକୁ ପ୍ରଭାବିତ କରୁଛି । ‘ଆଇକ୍ୟୁବ ୨୦୨୦’ ରିପୋର୍ଟ ଅନୁଯାୟୀ ଦେଶରେ ଇଣ୍ଟରନେଟ ଉପଭୋକ୍ତାମାନଙ୍କ ମଧ୍ୟରୁ ୮୨ ପ୍ରତିଶତ ସୋସିଆଲ ମିଡ଼ିଆ ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ପାରସ୍ପରିକ ଯୋଗାଯୋଗସହ ସମ୍ୱାଦ ଓ ସୂଚ଼ନା ବିତରଣ ତଥା ମନୋରଞ୍ଜନ ମୁଖ୍ୟ ସ୍ଥାନ ଅଧିକାର କରିଥାଏ ।


 

ଅନଲାଇନ ପରିବେଶର ବ୍ୟାପ୍ତି, ଉପଭୋକ୍ତାଙ୍କ ସଂଖ୍ୟା ଓ ବ୍ୟବହାର ସମୟସୀମା ବୃଦ୍ଧି ତଥା ସୋସିଆଲ ମିଡ଼ିଆରେ ଉପସ୍ଥିତି ପାରମ୍ପରିକ ସମ୍ୱାଦ ବିତରଣ ପ୍ରକ୍ରିୟାକୁ ପ୍ରଭାବିତ କରିବାରେ ଲାଗିଛି । ଏ ସଂପର୍କରେ ଭାରତକେନ୍ଦ୍ରୀକ ତଥ୍ୟ ସଂକଳିତ ହୋଇନପାରିଥିଲେ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ଖ୍ୟାତନାମା ‘ପିଉ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ୨୦୨୧ ଜୁଲାଇ ୨୬ରୁ ଅଗଷ୍ଟ ୮ ମଧ୍ୟରେ ଏଗାର ହଜାରରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କୁ ନେଇ ଆୟୋଜିତ ଏକ ସର୍ବେକ୍ଷଣରେ ପ୍ରାୟ ଅର୍ଦ୍ଧେକ, ୪୮ ପ୍ରତିଶତ ମାର୍କିନ ପ୍ରାପ୍ତବୟସ୍କ ସୋସିଆଲ ମିଡ଼ିଆରୁ ସମ୍ୱାଦ ଆହରଣ କରୁଥିବା ସ୍ୱୀକାର କରିଥିଲେ ।


 

ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ମଧ୍ୟରେ ଫେସବୁକରେ ସର୍ବାଧିକ ୩୧ ପ୍ରତିଶତ, ୟୁଟ୍ୟୁବରେ ୨୨ ପ୍ରତିଶତ, ଟୁଇଟରରେ ୧୩ ପ୍ରତିଶତ ଓ ଇନଷ୍ଟାଗ୍ରାମରେ ୧୧ ପ୍ରତିଶତ ସମ୍ୱାଦ ସୂତ୍ରଭାବେ ଗ୍ରହଣ କରିଥାନ୍ତି । ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ମଞ୍ଚ ମଧ୍ୟରେ ରିଡିଟରେ ୭ ପ୍ରତିଶତ, ଟିକଟକରେ ୬ ପ୍ରତିଶତ, ଲିଙ୍କଡ଼ଇନରେ ୪ ପ୍ରତିଶତ, ସ୍ନାପଚାଟରେ ୪ ପ୍ରତିଶତ, ହ୍ୱାଟସଆପରେ ୩ ପ୍ରତିଶତ ଓ ଟୁଇଟରରେ ଏକ ପ୍ରତିଶତ ଉପଭୋକ୍ତା ସମ୍ୱାଦ ଗ୍ରହଣ ପାଇଁ ନିର୍ଭରଶୀଳ ।


 

‘ପିଉ ରିସର୍ଚ୍ଚ’ ଗବେଷଣାରୁ ଜଣାଯାଇଛି ଯେ ସୋସିଆଲ ମିଡ଼ିଆରେ ସମ୍ୱାଦ ଖୋଜିବା ଧାରା ୨୦୨୦ ତୁଳନାରେ ୨୦୨୧ରେ ପ୍ରାୟତଃ ସମାନ ରହିଥିଲା । କେବଳ ଫେସବୁକ ମଞ୍ଚକୁ ୨୦୨୦ରେ ୩୬ ପ୍ରତିଶତ ସମ୍ୱାଦ ସୂତ୍ରଭାବେ ବ୍ୟବହାର କରୁଥିବା ସ୍ଥଳେ ୨୦୨୧ରେ ପାଞ୍ଚ ପ୍ରତିଶତ ଖସି ୩୧ ପ୍ରତିଶତରେ ପହଞ୍ଚିଥିଲା । ଫେସବୁକରେ ୩୫ ପ୍ରତିଶତ ପୁରୁଷ ଏବଂ ୬୪ ପ୍ରତିଶତ ମହିଳା ସମ୍ୱାଦ ଆହରଣ ନିମନ୍ତେ ନିର୍ଭରଶୀଳ ।


 

ଯୁକ୍ତରାଷ୍ଟ୍ର ଆମେରିକାରେ ସୋସିଆଲ ମିଡ଼ିଆରେ ସମ୍ୱାଦ ବିତରଣ ସଂପର୍କୀତ ପରିସଂଖ୍ୟାନ ଭାରତ ପାଇଁ ଊଣାଅଧିକେ ପ୍ରଯୁଜ୍ୟ ବିଚାର କରାଯାଇପାରେ । ମହାମାରୀ-ପର ଅବସ୍ଥାରେ ଦେଶର ପାରମ୍ପରିକ ଗଣମାଧ୍ୟମ ମୁଦ୍ରଣ, ଟେଲିଭିଜନ, ସିନେମା ଓ ରେଡ଼ିଓ ବ୍ୟାବସାୟିକ ଦୁଃସ୍ଥିତିରେ ସମ୍ମୁଖୀନ ହୋଇଛନ୍ତି । ମୁଖ୍ୟତଃ, ସମ୍ୱାଦ ଶିଳ୍ପ ବ୍ୟାପକ ପ୍ରଭାବିତ ହୋଇଛି । ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ଏକ ପକ୍ଷରେ କାଗଜ, ପରିବହନ ଓ ଆନୁସଙ୍ଗିକ ଖର୍ଚ୍ଚ ବଢ଼ି ଚାଲିଥିବା ସ୍ଥଳେ ଅପରପକ୍ଷରେ ଉଭୟ ବିଜ୍ଞାପନ ଓ ପ୍ରସାର ସଂଖ୍ୟା ୨୫ରୁ ୪୦ ପ୍ରତିଶତ ଯାଏଁ ହ୍ରାସ ପାଇଛି । ନିବେଶ ଅଭାବରୁ ପ୍ରସ୍ତୁତ ଭିତ୍ତିଭୂମିର ପୂର୍ଣ୍ଣ ଉପଯୋଗ କିମ୍ୱା ଡ଼ିଜିଟାଲ ମିଡ଼ିଆର ମୁକାବିଲା ସଂଭବ ହୋଇପାରୁ ନାହିଁ ।


 

ଅନ୍ୟତମ ନିର୍ଭରଶୀଳ ବାଣିଜ୍ୟ ଗବେଷଣା ପ୍ରତିଷ୍ଠାନ ‘ଡ଼େଣ୍ଟସୁ’ର ରିପୋର୍ଟ ଅନୁଯାୟୀ ମହାମାରୀ ହେତୁ ୨୦୨୦ରେ ଭାରତୀୟ ବିଜ୍ଞାପନ ବ୍ୟୟ ୧୩ ପ୍ରତିଶତ ହ୍ରାସ ପାଇଥିଲା ଏବଂ ୨୦୨୧ରେ ୧୦ ପ୍ରତିଶତ ଅଭିବୃଦ୍ଧି ସମ୍ଭବ । ତେବେ ବିଜ୍ଞାପନ ବ୍ୟୟ ମୁଖ୍ୟତଃ ମନୋରଞ୍ଜନ ମୁହାଁ ହେଉଥିବା ହେତୁ ସମ୍ୱାଦ ଭାଗକୁ ମାତ୍ର ୮ ପ୍ରତିଶତ ପଡ଼ିଥାଏ । ଏହି ପରିବେଶରେ ମୁଦ୍ରିତ ସମ୍ୱାଦପତ୍ର ବିଜ୍ଞାପନ ଦର ୪୦ ପ୍ରତିଶତ ଯାଏଁ କମାଇ ଦେଲେ ସୁ୍ଦ୍ଧା ଆୟ ଓ ବ୍ୟୟରେ ସମତୁଲ ରକ୍ଷା ହୋଇପାରୁ ନାହିଁ ।


 

ଜାତୀୟସ୍ତରର ଗଣମାଧ୍ୟମ ସମୀକ୍ଷକମାନେ କହୁଛନ୍ତି ଯେ ମୁଦ୍ରିତ ସମ୍ୱାଦପତ୍ର ଓ ସମ୍ୱାଦ ଟେଲିଭିଜନ ଶିଳ୍ପ ବିଗତ ଦଶକରେ ଲାଭ ପ୍ରାୟ ୯୦ ପ୍ରତିଶତ କମି ଆସିଛି । ମୁଖ୍ୟତଃ ୨୦୦୩ରୁ ୨୦୦୮ ମଧ୍ୟରେ ବିଭିନ୍ନ କାରଣରୁ ଯେଭଳି ଅବିଚାରିତ ଭାବେ ସମ୍ୱାଦ ମଞ୍ଚ ସଂଖ୍ୟା ବଢ଼ି ଚାଲିଥିଲା ତାହା ୨୦୦୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସୃଷ୍ଟ ମାନ୍ଦାବସ୍ଥା ଓ ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ତର୍ଜାତିକସ୍ତରରେ ପ୍ରଭାବ ହେତୁ ଦୁର୍ଦ୍ଦଶାର କାରଣ ପାଲଟିଛି । ପ୍ରଥମେ ବିଚାର କରାଯାଉଥିଲା ଯେ ପାଶ୍ଚାତ୍ୟ ଗଣମାଧ୍ୟମରେ ସୃଷ୍ଟ ସଂକଟରେ ଭାରତ, ମୁଖ୍ୟତଃ ଆଞ୍ଚଳିକ ଭାଷାରେ ଗଣମାଧ୍ୟମ ଶିଳ୍ପ ପ୍ରଭାବିତ ହେବ ନାହିଁ । କିନ୍ତୁ ମହାମାରୀ-ପୂର୍ବାବସ୍ଥାରୁ ଏହା ଭୂଲ ପ୍ରମାଣିତ ହୋଇଛି । ଫଳସ୍ୱରୂପ ୨୦୨୧ ଶେଷ ସୁଦ୍ଧା ବହୁ ପାରମ୍ପରିକ ସମ୍ୱାଦ ଶିଳ୍ପ ମିଶ୍ରଣ ‘କନସୋଲଡ଼େସନ’ କିମ୍ୱା ଅଧିଗ୍ରହଣ ‘ଟେକ ଓଭର’ ନିମନ୍ତେ ପ୍ରସ୍ତୁତ ହେବାରେ ଲାଗିଛନ୍ତି ।


 

ଶୁଣାଯାଉଛି ଯେ ଆଦାନୀ ଏଣ୍ଟରପ୍ରାଇଜର୍ସ ଗଣମାଧ୍ୟମ ପରିସରରେ ଅବତୀର୍ଣ୍ଣ ହେବ । ନିବେଶ ଅଭାବରୁ ସଂଘର୍ଷ କରୁଥିବା କେତେକ ପାରମ୍ପରିକ ସମ୍ୱାଦ ଶିଳ୍ପକୁ ଅଧିଗ୍ରହଣ ଏବଂ କୌଣସି ବୈଦେଶିକ ସମ୍ୱାଦ ସଂସ୍ଥା ସହଯୋଗରେ ନୂତନ ମଞ୍ଚ ସୃଷ୍ଟି ବିକଳ୍ପ ସୁଯୋଗ ରହିଛି । ଆଦାନୀ ପକ୍ଷରୁ ସଞ୍ଜୟ ପାଗାରିଆଙ୍କୁ ମୁଖ୍ୟ ସମ୍ପାଦକଭାବେ ନିଯୁକ୍ତ କରାଯିବା ଘଟଣାକ୍ରମ ସଂଗଠନର ଭବିଷ୍ୟତ ଗଣମାଧ୍ୟମ କାର୍ଯ୍ୟକ୍ରମକୁ ସୂଚ଼ିତ କରିଥାଏ । ପାଗାରିଆ ଡିଜିଟାଲ ମଞ୍ଚ ‘ଦି କୁଇଣ୍ଟ’ର ଅଧ୍ୟକ୍ଷଭାବେ ଦୀର୍ଘଦିନ କାର୍ଯ୍ୟ କରିଆସିଥିଲେ । ତାଙ୍କରି ଅଭିଜ୍ଞତା ଆଦାନୀ ଏଣ୍ଟରପ୍ରାଇଜର୍ସଙ୍କୁ ଅତ୍ୟାଧୁନିକ ଗଣମାଧ୍ୟମ ଉତ୍ପାଦ ସୃଷ୍ଟିରେ ସହାୟକ ହେବ ବୋଲି ଆଶା କରାଯାଉଛି ।

 

ଭାରତରେ ଅନଲାଇନ ସମ୍ୱାଦ ପରିବେଶ ପାରମ୍ପରିକ ସମ୍ୱାଦ ଶିଳ୍ପକୁ ଗଭୀର ପ୍ରଭାବିତ କରିବା ନିଶ୍ଚିତ । ସ୍ଥାନୀୟ ସମ୍ୱାଦ ଉପଭୋକ୍ତାଙ୍କ ସମ୍ୱାଦ ଆହରଣ ଅଭ୍ୟାସ ପ୍ରାୟତଃ ବଦଳି ଆସିଲାଣି ବୋଲି କହିବାକୁ ହେବ । ‘ମାସ’ ଓ ‘ସେନସର’ ରିପୋର୍ଟ ଅନୁଯାୟୀ ଇଣ୍ଟରନେଟ ଉପଭୋକ୍ତାଙ୍କ ଦୈନିକ ହାରାହାରି ପାଞ୍ଚ ଘଣ୍ଟା ଅନଲାଇନ ଉପସ୍ଥିତି ଏବଂ ଇ-କମର୍ସ କ୍ଷେତ୍ରରେ ୨୦୨୪ ସୁଦ୍ଧା ମହାମାରୀ-ପୂର୍ବାବସ୍ଥା ତୁଳନାରେ ୮୪ ପ୍ରତିଶତ ଅଭିବୃଦ୍ଧି ପୂର୍ବାନୁମାନ ସମଧାରାରେ ସମ୍ୱାଦକ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ବିଚାର କରାଯାଇପାରେ ।       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୨ ଅକ୍ଟୋବର ୨୦୨


ତଥ୍ୟ :



Manchanda, Megha. Business Standard. August 27, 2021. Internet users up nearly 4% to over 825 million in Q4 of FY 21 : TRAI Data


 

https://www.business-standard.com/article/economy-policy/internet-users-up-nearly-4-to-over-825-million-in-q4-of-fy21-trai-data-121082701105_1.html


 

India to have 900 million active internet users by 2025, says report


 

https://economictimes.indiatimes.com/tech/technology/india-to-have-900-million-active-internet-users-by-2025-says-report/articleshow/83200683.cms


 

News consumption across social media in 2021


 

https://www.pewresearch.org/journalism/2021/09/20/news-consumption-across-social-media-in-2021/


 

Venu, M.K. The Wire. Sept 21, 2021 Sign of the times : Old news media up for sale


 

https://thewire.in/media/sign-of-the-times-old-news-media-up-for-sale


 

 

Sharma, Niraj. Best Media Info. September 20, 2021 Adani’s media foray : What is on the cards


 

https://bestmediainfo.com/2021/09/adani-s-media-foray-what-is-on-the-cards/


 

Shinde, Shivani. Indian e-commerce set to grow 84% by 2024. Business Standard (Bhubaneswar Edition). October 18, 2021. 

ସମ୍ୱାଦ ଆହରଣର ବିକଳ୍ପ ଶୈଳୀ

ସାଧାରଣରେ ସମ୍ୱାଦକୁ ଚଳନ୍ତି ପ୍ରବାହର ବିବରଣୀ ରୂପେ ଧରିନେଇ ଥାଉ। ଟେଲିଭିଜନ ପରକୁ ବର୍ତ୍ତମାନ ମୋବାଇଲ ଫୋନ ପରଦାରେ ବ୍ରେକିଂ ନିଉଜ ଆମର ଦୃଷ୍ଟି ଆକର୍ଷଣ କରିଥାଏ, ପରସ୍ପର ମଧ୍ୟରେ ଆଳାପ ଆଲୋଚ଼ନାର ବିଷୟବସ୍ତୁ ପାଲଟିଥାଏ । ତତ୍ କ୍ଷଣାତ କ’ଣ ଘଟୁଛି ସେ ସଂପର୍କରେ ଟୀକାଟିପ୍ପଣୀ ପାଇଁ ଦୌଡ଼ରେ ଅଣନିଶ୍ୱାସୀ ହୋଇଉଠୁ ।


 

କିନ୍ତୁ କିଛି ବ୍ୟକ୍ତି ଚଳନ୍ତି ପ୍ରବାହକୁ ଚହଲିଲା ପାଣି ଜ୍ଞାନ କରି ସେଥିରେ ହାତ ଦିଅନ୍ତି ନାହିଁ । ଘଟଣାର କିଛି କାଳ ପରେ ସେଥିରେ ମନୋନିବେଶ କରନ୍ତି । ସେଭଳି ଚ଼ରିତ୍ରମାନଙ୍କ ମଧ୍ୟରେ ଲେଖକ ଓ ଦୂରଦ୍ରଷ୍ଟା ରିଚ଼ାର୍ଡ଼ ୱାଟସନ ଅନ୍ୟତମ ।ସେହି ଭଦ୍ରବ୍ୟକ୍ତିଙ୍କ ସଂପର୍କରେ ଆମର ବିଶେଷ ପରିଚ଼ିତି ନାହିଁ । ତେବେ ସେ ଯେ ଲଣ୍ଡନ ଓ ସିଲିକନ ଭେଲିରେ ପ୍ରଯୁକ୍ତି ବିଜ୍ଞାନର ଭବିଷ୍ୟତ ସଂପର୍କରେ ପାଠ ପଢ଼ାନ୍ତି ସେତିକିରେ ତାଙ୍କରି ବୌଦ୍ଧିକ ସ୍ଥିତି ବେଶ ଠଉରାଇ ପାରିବା ।


 

ୱାଟସନ ସ୍ମାର୍ଟଫୋନ ବ୍ୟବହାର କରନ୍ତି ନାହିଁ । ରେଡ଼ିଓ, ଟେଲିଭିଜନ, ଅନଲାଇନ ବଦଳରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ପୁରୁଣା ରବିବାସରୀୟ ସଂସ୍କରଣ ପଢ଼ି ସମ୍ୱାଦ ଜାଣନ୍ତି । ସାଂପ୍ରତିକ ଘଟଣାବଳୀ ସଂପର୍କରେ ତାଙ୍କରି ପ୍ରାୟ ଧାରଣା ନଥାଏ । ସମସ୍ତେ ଯାହା ଜାଣିବାକୁ ଚ଼େଷ୍ଟା କରନ୍ତି ସେଭଳି ଦୌଡ଼ରୁ ଅପସରି ଯାଇ ବିକଳ୍ପ ଧାରାରେ ସମ୍ୱାଦ ଆହରଣ କରିଥାନ୍ତି ।


 

ୱାଟସନ ଯେ ପ୍ରଯୁକ୍ତି ବିଜ୍ଞାନର ଭବିଷ୍ୟତ ସଂପର୍କରେ ବିଶ୍ୱର ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବକୃତା ଦିଅନ୍ତି, ତେଣୁ ତାଙ୍କରି ଅଧ୍ୟୟନ ଶୈଳୀର ସମ୍ୟକ ପରିଚ଼ିତି ଲାଗି ଅନେକେ ଅନିସିନ୍ଧୁତ୍ସୁ ହେବା ସ୍ୱାଭାବିକ । ଅଗ୍ରଣୀ ସମ୍ୱାଦ ପୋର୍ଟାଲ ‘କ୍ୱାଜ ଡ଼ଟ କମ’ରେ ୨୦୧୮ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ପ୍ରକାଶିତ ୱାଟସନଙ୍କ ସହ ସାକ୍ଷାତକାର ତାଙ୍କରି ସମ୍ୱାଦ ଆହରଣର ବିକଳ୍ପ ଶୈଳୀ ସଂପର୍କରେ ଆଲୋକପାତ କରିଥିଲା ।


 

ୱାଟସନ କହନ୍ତି ପ୍ରଥମତଃ ନିର୍ବାଚ଼ିତ ସମ୍ୱାଦ ପଠନ ଅଭ୍ୟାସକୁ ସୁଦୃଢ କରିବାକୁ ପଡ଼ିବ । ପ୍ରତ୍ୟେକେ ନିଜ ରୁଚ଼ି ଓ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସୂତ୍ରରୁ ସମ୍ୱାଦ ଆହରଣ କରିଥାନ୍ତି । ତେବେ ଏଭଳି ଅଭ୍ୟାସକୁ ସଂଯତ କଲେ ସୁଫଳ ମିଳିଥାଏ ।


 

ସାଧାରଣ ପାଠକଙ୍କଠାରୁ ବୃତ୍ତିଧାରୀ ସମ୍ୱାଦସଂସ୍ଥାର ସମ୍ପାଦକଙ୍କ ପର୍ଯ୍ୟନ୍ତ କେହି ସମ୍ୱାଦ ସୂତ୍ରଗୁଡ଼ିକରେ ପ୍ରସାରିତ ସମସ୍ତ ସମ୍ୱାଦକୁ ଅକ୍ତିଆର କରିପାରନ୍ତି ନାହିଁ । ସଭିଁଏ ନିର୍ବାଚ଼ିତ ବିଭାଗ ତଥା ସେଥିରେ ଅନ୍ତର୍ଭୁକ୍ତ ନିର୍ବାଚ଼ିତ ସମ୍ୱାଦ ଅନୁସରଣ କରିଥାନ୍ତି । ସ୍ୱତଃପ୍ରବୃତ୍ତଭାବେ ସୃଷ୍ଟ ଏହି ପ୍ରକ୍ରିୟାର ସଚ଼େତନ ନିୟନ୍ତ୍ରଣ ଜ୍ଞାନବର୍ଦ୍ଧନରେ ସହାୟକ ହୋଇଥାଏ ।


 

ସରଳରେ କହିବାକୁ ଗଲେ ସମ୍ୱାଦପତ୍ର, ପତ୍ରପତ୍ରିକା, ରେଡ଼ିଓ, ଟେଲିଭିଜନ, ଚଳଚ଼ିତ୍ର ଓ ସୋସିଆଲ ମିଡ଼ିଆ ଇତ୍ୟାଦି ବିଭିନ୍ନ ସୂତ୍ରରୁ ଉପଲବ୍ଧ ବହୁ ବିଷୟରେ ବହୁ ସମ୍ୱାଦ ପ୍ରତି ଆକର୍ଷିତ ନ ହୋଇ ନିଜର ରୁଚ଼ି ଓ ଆବଶ୍ୟକତା ମତେ ନିର୍ଦ୍ଦିଷ୍ଟ କେତେକ ବିଷୟରେ ନିର୍ଦ୍ଦିଷ୍ଟ କେତେକ ଘଟଣାକ୍ରମ ଅନୁଧ୍ୟାନ କରିବା ଉଚ଼ିତ ।ପରିମାଣ ବଦଳରେ ଗୁଣାତ୍ମକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।


 

ଦ୍ୱିତୀୟତଃ ଉପଲବ୍ଧ ସମ୍ୱାଦ ସୂତ୍ର ମଧ୍ୟରୁ ଯୁକ୍ତିଯୁକ୍ତ ଓ ତଥ୍ୟାଶ୍ରିତ ସୂତ୍ରଗୁଡ଼ିକ ଗୁରୁତ୍ୱ ବହନ କରିଥାଏ। ଉଦାହରଣରେ ସମ୍ୱାଦପତ୍ର ପୃଷ୍ଠାରେ ବହୁ ସୂତ୍ରରୁ ସମ୍ୱାଦମାନ ପ୍ରକାଶିତ ହୋଇଥାଏ । ପାଠକ ନିଜ ବିଚ଼ାରରେ ଉକୃଷ୍ଟ ମନେକରୁଥିବା ସୂତ୍ରଗୁଡ଼ିକୁ ଚ଼ିହ୍ନିତ କରିବା ଉଚ଼ିତ । ସମ୍ୱାଦପତ୍ରରେ ନିର୍ଦ୍ଦିଷ୍ଟ ସ୍ତମ୍ଭ ବା ଟେଲିଭିଜନରେ ନିର୍ଦ୍ଦିଷ୍ଟ ଭାଷ୍ୟକାରଙ୍କ ଅନୁଶୀଳନ ଅନୁସରଣ ସମସାମୟିକ ଘଟଣାକ୍ରମ ବିଶ୍ଳେଷଣରେ ସହାୟକ ହୋଇଥାଏ ।


 

ଇଣ୍ଟରନେଟ ମଞ୍ଚରେ ବିଭିନ୍ନ ବିଷୟରେ ସୁକ୍ଷ୍ମାତିସୁକ୍ଷ୍ମ ତତ୍ତ୍ୱ ବିଶ୍ଳେଷଣ ନିମନ୍ତେ ପ୍ରକାଶନମାନ ରହିଛି । ଉଦାହରଣରେ ଧୂଳିକଣା ସଂପର୍କରେ ଜଣେ ବୈଜ୍ଞାନିକ ଏକ ମାସିକ ଇ-ମେଲ ନିଉଜଲେଟର ପ୍ରକାଶ କରନ୍ତି । ନିଜ ରୁଚ଼ି ଓ ଆବଶ୍ୟକତା ଅନୁଯାୟୀ ଅନ-ଲାଇନରେ ଉପଯୁକ୍ତ ସମ୍ୱାଦ ସୂତ୍ରରେ ପହଞ୍ଚିବା ନିମନ୍ତେ ଉଦ୍ୟମ ଆବଶ୍ୟକ ।


 

ତୃତୀୟତଃ ଅନବରତ ମୌଳିକ ସମ୍ୱାଦ ଅନୁସରଣ ବଦଳରେ ସଂପୂର୍ଣ୍ଣ ଘଟଣାକ୍ରମ ବିଶ୍ଳେଷଣ ତଥା ଅଭିମତ ସମ୍ୱଳିତ ରଚ଼ନାପ୍ରତି ଗୁରୁତ୍ୱ ଦେଲେ ସେଥିରୁ ଆସ୍ୱାଦିତ ତଥ୍ୟାବଳୀ ଚ଼ିନ୍ତାରାଜ୍ୟକୁ ପରିପୁଷ୍ଟ କରିଥାଏ । ସମ୍ପାଦକୀୟ ପୃଷ୍ଠା ଓ ରବିବାସରୀୟ କ୍ରୋଡ଼ପତ୍ରରେ ପ୍ରକାଶିତ ରଚ଼ନାବଳୀରେ ସମସାମୟିକ ଘଟଣାବଳୀ ଉପରେ ଗଭୀର ବିଶ୍ଳେଷଣ ମିଳିପାରେ। ଏଭଳି ପଠନ ଅଭ୍ୟାସକୁ ଅଗ୍ରାଧିକାର ଦିଆଯିବା ଉଚ଼ିତ ।


 

ଚ଼ତୁର୍ଥରେ ଦୈନନ୍ଦିନ ଅଭ୍ୟାସର ବନ୍ଧନୀର ବାହାରକୁ ଯିବା ଉଦ୍ୟମ ସୁଫଳ ଦେଇଥାଏ । ବେଳେ ବେଳେ ପାଠକମାନେ ପରିଚ଼ିତ ସମ୍ୱାଦ ସୂତ୍ର ବଦଳରେ ଅଜଣା ପତ୍ରିକା ଓ ପୁସ୍ତକ ତଥା ଅପରିଚ଼ିତ ବ୍ୟକ୍ତିଙ୍କ ସହ କଥୋପକଥନରେ ସଂପୃକ୍ତ ହୋଇ ପଡ଼ନ୍ତି । ଏଭଳି ସୁଯୋଗ ନୂତନ ଅଭିଜ୍ଞତା ହାସଲରେ ସହାୟକ ହୋଇଥାଏ । ସେହିପରି ଭ୍ରମଣ ଅବସରରେ ନୂଆ ବିଷୟରେ ଜ୍ଞାନ ମିଳିଥାଏ ।


 

ଅନବରତ କଥୋପକଥନ ବଦଳରେ କିଛି ସମୟ ଶାନ୍ତ ପରିବେଶରେ କଟାଇଲେ କୌଣସି ବିଷୟରେ ଗଭୀର ଅନୁଧ୍ୟାନ ନିମନ୍ତେ ସୁଯୋଗ ସୃଷ୍ଟି କରେ । କହିବା ଅପେକ୍ଷା ଶୁଣିବା ଅଭ୍ୟାସ ଅନ୍ୟକୁ ବୁଝିବାରେ ସହାୟକ ହୋଇଥାଏ । ସମୟାନ୍ତେ କେବଳ ଚ଼ିନ୍ତା କରିବା ନିମନ୍ତେ କିଛି କିଛି ସମୟ ଚ଼ିହ୍ନଟ କରିପାରିଲେ ସର୍ଜନଶୀଳତା ବୃଦ୍ଧିପ୍ରାପ୍ତ ହୁଏ । କୁହାଯାଏ ଯେ ବିଲ ଗେଟସ ବର୍ଷରେ ଥରେ ଘନ ଜଙ୍ଗଲରେ ସପ୍ତାହେ କଟାଇଥାନ୍ତି ।ସାଥିରେ ଆଣିଥିବା ନୂତନ ଗବେଷଣା ପ୍ରସୂତ ସନ୍ଦର୍ଭମାନ ପଢ଼ନ୍ତି । ଏହି ଅବସରରେ ସୃଷ୍ଟ ଚ଼ିନ୍ତାଧାରା ତାଙ୍କୁ ବର୍ଷସାରା ସାହାଯ୍ୟ କରିଥାଏ ।


 

ପଞ୍ଚମତଃ ଉତ୍କର୍ଷତା ହାସଲ କରିବା ନିମନ୍ତେ ସାଧାରଣଜ୍ଞାନରୁ ଉର୍ଦ୍ଧ୍ୱଗାମୀ ହେବା ବିଧେୟ । ପ୍ରଚଳିତ ପ୍ରବାହର ବିପରୀତ ଦିଗରେ ଗତି କଲେ ହିଁ ଗଭୀର ଉପଲବ୍ଧି ସମ୍ଭବପର । ସମସ୍ତେ ଯେଉଁ ସମ୍ୱାଦ ଆହରଣ କରୁଛନ୍ତି ସେଥିରେ ବିଶେଷ ଗୁରୁତ୍ୱ ନଦେଇ ଭିନ୍ନଦୃଷ୍ଟିରୁ ଘଟଣାକ୍ରମକୁ ନିରୀକ୍ଷଣ କଲେ ନୂତନତ୍ୱର ସନ୍ଧାନ ମିଳିଥାଏ । ପ୍ରତିଦିନ କିଛି ସମୟ ପାଇଁ, ହୁଏତ ସନ୍ଧ୍ୟାକାଳରେ ସେଲଫୋନ, ଇଣ୍ଟରନେଟ, ଟେଲିଭିଜନ, ରେଡ଼ିଓ, ପତ୍ରପତ୍ରିକା ପ୍ରଭାବରୁ ମୁକ୍ତ ରହିବା ତଥା ସପ୍ତାହରେ ନିର୍ଦ୍ଦିଷ୍ଟ ସମୟରେ ଦୀର୍ଘ ସମୟଧରି ବିଚ୍ଛିନ୍ନ ପରିବେଶରେ ବିତାଇବାଅଭ୍ୟାସ ବ୍ୟକ୍ତିମାନସକୁ ଗଣମାଧ୍ୟମ ପ୍ରଭାବମୁକ୍ତ କରିବାରେ ସହାୟକ ହେଉଥିବା ବିଶ୍ୱାସ କରାଯାଏ ।


 

ବ୍ୟକ୍ତିକେନ୍ଦ୍ରୀକ ବିକଳ୍ପ ଶୈଳୀ ସମ୍ୱାଦ ଆହରଣ ଓ ପ୍ରକ୍ରିୟାକରଣସମ୍ୱାଦ ଶିଳ୍ପ ସହ ସଂପୃକ୍ତ ବୃତ୍ତିଧାରୀଙ୍କ ଦକ୍ଷତା ବିକାଶରେ ପ୍ରତିବିମ୍ୱିତ ହୋଇଥାଏ ।        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୮ ମେ ୨୦୧୮


ତଥ୍ୟ:



https://qz.com/1222019/stop-reading-the-latest-news-if-you-want-to-be-better-informed/


ଡିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ

ଭାରତୀୟ ପାଠକ ସର୍ବେକ୍ଷଣ ‘ଇଣ୍ଡିଆନ ରିଡ଼ରସିପସର୍ଭେ’ର ୨୦୧୯ ବର୍ଷ ପାଇଁ ଦ୍ୱିତୀୟ ତ୍ରୈୟମାସିକ ଗଣନାରେ ମୁଦ୍ରିତ ସମ୍ୱାଦପତ୍ର ପାଠକ ସଂଖ୍ୟା ସାମାନ୍ୟ କମି ଆସୁଥିବା ସ୍ଥଳେ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ ବୃଦ୍ଧି ପାଇଥିବା ସଙ୍କେତ ମିଳିଛି । ମିଡ଼ିଆ ରିସର୍ଚ୍ଚୟୁଜର୍ସ କାଉନସିଲ ଆନୁକୂଲ୍ୟରେ ଦେଶବ୍ୟାପୀ ୩ ଲକ୍ଷ ୩୬ ହଜାର ପରିବାରଙ୍କ ମଧ୍ୟରେ ସମ୍ୱାଦ ପଠନ ଅଭ୍ୟାସ ସର୍ବେକ୍ଷଣ କରି ପ୍ରସ୍ତୁତ ଅନୁଶୀଳନ ୨୦୧୯ ଅଗଷ୍ଟ ୧୪ ତାରିଖ ଦିନ ପ୍ରକାଶିତ ହୋଇଛି । ପ୍ରକାଶଥାଉକି ୨୦୧୯ ରୁ ପ୍ରତି ତ୍ରୈୟମାସିକଭିତ୍ତିରେ ସମ୍ୱାଦ ପାଠକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଏପ୍ରିଲ ୨୦୧୯ରେ ପ୍ରଥମ ତ୍ରୈୟମାସିକ ଅନୁଶୀଳନ ପ୍ରକାଶ ପରେ ଅଗଷ୍ଟ ୨୦୧୯ରେ କ୍ରମାନ୍ଵୟରେ ଦ୍ୱିତୀୟ ଉଦ୍ୟମ ।


 

ଭାରତରେ ମୁଦ୍ରିତ ସମ୍ୱାଦପତ୍ରର ମୋଟ ପାଠକ ସଂଖ୍ୟା ୨୦୧୯ର ପ୍ରଥମ ତ୍ରୈୟମାସିକ ଗଣନାରେ ୩୬.୮ ପ୍ରତିଶତ ଥିବା ସ୍ଥଳେ ଦ୍ୱିତୀୟ ତ୍ରୈୟମାସିକ ଗଣନାରେ ୩୫.୮ ପ୍ରତିଶତକୁ କମିଆସିଛି । ଅପରପକ୍ଷେ ଡିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ ପ୍ରଥମ ତ୍ରୈୟମାସିକ ଗଣନାରେ ୧୩.୮ ପ୍ରତିଶତରୁ ଦ୍ୱିତୀୟ ତ୍ରୈୟମାସିକ ଗଣନାରେ ୧୫ ପ୍ରତିଶତକୁ ବଢ଼ିଛି । ଅର୍ଥାତ ମୁଦ୍ରିତ ପାଠକ ସଂଖ୍ୟା ଏକ ପ୍ରତିଶତ କମିଥିବା ବେଳେ ଡିଜିଟାଲ ଆହରଣ ୧.୨ ପ୍ରତିଶତ ବଢ଼ିଛି ।


 

ମୁଦ୍ରିତ ସମ୍ୱାଦପତ୍ରର ମୋଟ ପାଠକ ସଂଖ୍ୟା ୨୦୧୭ ଗଣନାରେ ୩୬.୮ ପ୍ରତିଶତ ଥିବା ସ୍ଥଳେ ଡିଜିଟାଲ ମଞ୍ଚରେ ଆହରଣ ସଂଖ୍ୟା ୯ ପ୍ରତିଶତ ରହିଥିଲା । ଅର୍ଥାତ ୨୦୧୭ରୁ ୨୦୧୯ ଦୁଇ ବର୍ଷ ମଧ୍ୟରେ ମୁଦ୍ରିତ ସମ୍ୱାଦପତ୍ରର ପାଠକ ସଂଖ୍ୟାରେ ବୃଦ୍ଧି ନଘଟିଥିବା ସ୍ଥଳେ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ ଛଅ ପ୍ରତିଶତ ବୃଦ୍ଧିପ୍ରାପ୍ତ ହୋଇଛି ।


 

ମୁଦ୍ରିତ ସମ୍ୱାଦପତ୍ର ସ୍ଥିତାବସ୍ଥା ଅନୁଧ୍ୟାନରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ସମ୍ୱାଦପତ୍ରକିତା ‘କପି’ ପିଛା ପାଠକ ସଂଖ୍ୟା କ୍ରମଶଃ କମି ଆସୁଥିବା ଲକ୍ଷ୍ୟ କରାଯାଇଛି । ଆମ ଦେଶରେ ଖଣ୍ଡିଏ ସମ୍ୱାଦପତ୍ରକୁ ଏକାଧିକ ପାଠକ ପଢ଼ିଥାନ୍ତି । ପରିବାରପକ୍ଷରୁସମ୍ୱାଦପତ୍ର ଗ୍ରାହକ ଶ୍ରେଣୀଭୁକ୍ତହେଉଥିବା ସ୍ଥଳେ ଖଣ୍ଡିଏ ସମ୍ୱାଦପତ୍ର ପରିବାରର ସମସ୍ତ ସଦସ୍ୟ ପାଠ କରନ୍ତି ଏବଂ ଦୋକାନ,ବିଭିନ୍ନ ପ୍ରତିଷ୍ଠାନ ଗୁଡ଼ିକରେ ଉପଲବ୍ଧ ସମ୍ୱାଦପତ୍ରଗୁଡ଼ିକ ସଂଖ୍ୟାଧିକ କର୍ମଚାରୀ, ଗ୍ରାହକ କିମ୍ୱା ଅନ୍ୟାନ୍ୟ ବ୍ୟକ୍ତିବିଶେଷ ପଢ଼ିଥାନ୍ତି ।ଗଣନା ଅନୁଯାୟୀ ମୁଦ୍ରିତ ସଂବାଦପତ୍ର ଖଣ୍ଡ ପିଛା ପାଠକ ସଂଖ୍ୟା ଭାରତୀୟ ଭାଷାରେ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକକ୍ଷେତ୍ରରେ ୨୦୧୭ରେ ୮.୭ ପ୍ରତିଶତ ଥିବା ସ୍ଥଳେ ୨୦୧୯ରେ ୮.୧ ପ୍ରତିଶତକୁ କମିଛି ।


 

ଇଣ୍ଡିଆନ ରିଡ଼ରସିପସର୍ଭେ ୨୦୧୯ ଦ୍ୱିତୀୟ ତ୍ରୈୟମାସିକ ଅନୁଧ୍ୟାନ ବିବରଣୀର ସାରାଂଶରେ ଓଡ଼ିଆର ଦୁଇଗୋଟି ସମ୍ୱାଦପତ୍ର‘ସମ୍ୱାଦ’ ଓ ‘ସମାଜ’ର ମୋଟ ପାଠକ ସଂଖ୍ୟା ଉଲ୍ଲେଖ କରାଯାଇଛି । ପ୍ରଥମ ସ୍ଥାନରେ ଅବସ୍ଥାପିତ ‘ସମ୍ୱାଦ’ର ପାଠକ ସଂଖ୍ୟା ପ୍ରଥମ ତ୍ରୟସାସିକ ଗଣନାରେ ୬୫ ଲକ୍ଷ ୯୮ ହଜାର ଥିବା ସ୍ଥଳେ ଦ୍ୱିତୀୟ ତ୍ରୈୟମାସିକଗଣାନରେ ୬୬ ଲକ୍ଷ ୫୬ ହଜାରରେ ପହଞ୍ଚିଛି । ସେହିପରି ଦ୍ୱିତୀୟ ସ୍ଥାନରେ ‘ସମାଜ’ ପ୍ରଥମ ତ୍ରୈୟମାସିକ ଗଣନାରେ ୫୪ ଲକ୍ଷ ୬୩ ହଜାର ଥିବା ସ୍ଥଳେ ଦ୍ୱିତୀୟ ତ୍ରୈୟମାସିକ ଗଣନାରେ ୫୫ ଲକ୍ଷ ୯୪ ହଜାର ପହଞ୍ଚିଛି । ତେବେ ‘ସମାଜ’ର ଲକ୍ଷେ ଏକତିରିଶି ହଜାର ପାଠକ ବୃଦ୍ଧି ଘଟିଥିବା ବେଳେ ‘ସମ୍ୱାଦ’ ମାତ୍ର ୫୮ ହଜାର ପାଠକ ବୃଦ୍ଧି ସଂଭବପର ହୋଇଛି ।


 

ଓଡ଼ିଆ ସମ୍ୱାଦପତ୍ର କ୍ଷେତ୍ରରେ ୨୦୧୯ ଦ୍ୱିତୀୟ ତ୍ରୈୟମାସିକ ପାଠକ ଗଣନାରେ ଅଭିବୃଦ୍ଧି ନିମନ୍ତେ କେତେକାଂଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ପରିବେଶକୁ ଦାୟୀ କରାଯାଇପାରେ । ରାଜ୍ୟରେ ଆଞ୍ଚଳିକସ୍ତରରେ ରାଜନୀତି ଗଣମାଧ୍ୟମ ଉପଯୋଗରେ ମୁଖ୍ୟତଃ ମୁଦ୍ରିତ ସମ୍ୱାଦପତ୍ର ଆଶ୍ରିତ ଥିବା ହେତୁ ନିର୍ବାଚନ ସମୟରେ ପାଠକ ସଂଖ୍ୟା ବୃଦ୍ଧି ସମ୍ଭବପର । ଟେଲିଭିଜନ ଏପର୍ଯ୍ୟନ୍ତ ତୃଣମୂଳସ୍ତରର ସମ୍ୱାଦ ପରିବେଷଣ ନିମନ୍ତେ କାର୍ଯ୍ୟକ୍ରମରେ ସ୍ଥାନ ସୃଷ୍ଟି କରିପାରିନଥିବା ତଥା ସମ୍ୱାଦ ସଂଗ୍ରହ ବ୍ୟବସ୍ଥା ପ୍ରଯୋଜନା କରିପାରି ନାହିଁ । ଅନ୍ୟପକ୍ଷରେ ଇଣ୍ଟରନେଟର ବ୍ୟାପ୍ତି ଓ ବ୍ୟବହାର ବୃଦ୍ଧି ପାଇଚାଲିଥିଲେ ହେଁ ସମ୍ୱାଦ ୱେବସାଇଟଗୁଡ଼ିକପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଏହି ପରିପ୍ରେକ୍ଷୀରେ ମୁଦ୍ରିତ ସମ୍ୱାଦପତ୍ର ତୃଣମୂଳସ୍ତରର ସମ୍ୱାଦ ପରିବେଷଣରେପ୍ରଭାବ ଅକ୍ଷୁର୍ଣ୍ଣ ରଖିପାରିଛି ।


 

ଓଡ଼ିଆ ଦୈନିକ ସମ୍ୱାଦପତ୍ରପ୍ରସାରଣ କ୍ଷେତ୍ରରେ ସମ୍ୱାଦ ଓ ସମାଜ ପରକୁ ପ୍ରମେୟ, ଧରିତ୍ରୀ ଓ ସମୟ ଆଗୁଆ ରହିଆସିଛନ୍ତି । ତେବେ ୨୦୧୯ରେ ଦ୍ୱିତୀୟ ତ୍ରୈୟମାସିକସମୟସୀମା କାହିଁକି ବର୍ଷ ବର୍ଷ ଧରି ପ୍ରସାରଣ କିମ୍ୱା ପାଠକ ବୃଦ୍ଧି ନିମନ୍ତେ  ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକସଂପାଦକୀୟ ନୀତିରେ କୌଣସି ପରିବର୍ତ୍ତନ ଆଣିପାରି ନାହାନ୍ତି । କାଁଭାଁ ବିକ୍ରୀବଟା ‘ମାର୍କେଟିଂ’ ଉଦ୍ୟମରେ ଗ୍ରାହକ ବୃଦ୍ଧି ନିମନ୍ତେ କାର୍ଯ୍ୟକ୍ରମମାନଉପଯୋଗ କରି ସାମାନ୍ୟ ସଫଳତା ହାସଲ କରିଥାନ୍ତି । ସମ୍ୱାଦପତ୍ରର ଲୋକପ୍ରିୟତା ଯେ ସଂପାଦକୀୟ ନୀତି ଉପରେ ଶିକ୍ଷିତ ଓ ନବସାକ୍ଷରସମସ୍ତବର୍ଗରେପାଠକଶ୍ରେଣୀରଲୋକପ୍ରିୟତା ନିର୍ଭରଶୀଳ ଏବଂ ଏଭଳି ଏକ ପଦାର୍ଥ ଦୈନନ୍ଦିନ ବ୍ୟବହୃତ ହେଉଥିବା ହେତୁ ଆଙ୍ଗୀକରେ ଘନ ଘନ ପରିବର୍ତ୍ତନ ଆବଶ୍ୟକ କରେ-ଏହି ଦୁଇଗୋଟି ତତ୍ତ୍ୱ ଗୁରୁତ୍ୱ ଉପଯୋଗ କରାଯାଇପାରେନା । ଅବଶ୍ୟ ସମ୍ୱାଦପତ୍ରପ୍ରକାଶନ ବିଭିନ୍ନ ଲକ୍ଷ୍ୟ ସିଦ୍ଧିରେ ପର୍ଯ୍ୟବସିତ ରହୁଥିବା ହେତୁ ଅନ୍ୟ କ୍ଷେତ୍ରରେ କତ୍ତୃତ୍ୱ ଯେ ବ୍ୟାବସାୟିକ ଦିଗପ୍ରତିଧ୍ୟାନ ଆକର୍ଷଣରେ ପ୍ରତିବନ୍ଧକ ଏକଥା ମଧ୍ୟ କୈଫୟିତ ରୂପେ ଗ୍ରହଣ କରାଯାଇପାରେ !


 

ଇଣ୍ଡିଆନ ରିଡ଼ରସିପସର୍ଭେ ୨୦୧୯ ଦ୍ୱିତୀୟ ତ୍ରୈୟମାସିକ ସର୍ବେକ୍ଷଣରେ ମୋଟ ୮୪,୬୫୬ ବ୍ୟକ୍ତିଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଏମାନେ ସମସ୍ତେ ୧୨ ବର୍ଷ ବୟସରୁ ଉର୍ଦ୍ଧ୍ୱ । ଏହି ନମୂନାରେ ଓଡ଼ିଶାର ୨,୫୦୧ ଜଣ ସାମିଲ ହୋଇଥିଲେ । ସର୍ବେକ୍ଷଣ ଗଣତିରେ ରାଷ୍ଟ୍ରୀୟସ୍ତରରେ ମୁଦ୍ରଣ, ଟେଲିଭିଜନ, ରେଡ଼ିଓ ଓ ସିନେମା କ୍ଷେତ୍ରରେ ୨୦୧୯ ପ୍ରଥମ ତ୍ରୈୟମାସିକ ଗଣନା ସ୍ଥିତାବସ୍ଥା ସହ ଦ୍ୱିତୀୟ ତ୍ରୈୟମାସିକ ଗଣନା ପ୍ରାୟ ସମାନ ରହିଥିବା ଜଣାଯାଏ । ତେବେ ଡିଜିଟାଲ ମଞ୍ଚର ବ୍ୟବହାରରେ ସାମାନ୍ୟ ପରିବର୍ତ୍ତନ ଉଲ୍ଲେଖଯୋଗ୍ୟ । ଆମ ଦେଶରେ ଇଣ୍ଟରନେଟ ମାଧ୍ୟମରେ ମୁଦ୍ରିତ ସମ୍ୱାଦପତ୍ରର ପ୍ରତିରୂପ ପଠନ ଓ ଲୋକପ୍ରିୟ ଟେଲିଭିଜନ ସମ୍ୱାଦ ବୁଲେଟିନ ଆହରଣ ମୁଖ୍ୟ ସ୍ଥାନ ଅଧିକାର କରିଥାଏ । ଡିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ ପ୍ରଥମ ତ୍ରୈୟମାସିକ ଗଣନାରେ ୧୨.୧ ରୁ ଦ୍ୱିତୀୟ ତ୍ରୈୟମାସିକ ଗଣନାରେ ୧୩.୪ କୁ ବୃଦ୍ଧି ପାଇଛି ।


 

ଗଣମାଧ୍ୟମ ସମୀକ୍ଷକମାନେ ଡିଜିଟାଲ ମଞ୍ଚର ବ୍ୟବହାର ବୃଦ୍ଧି ସତ୍ତ୍ୱେନିକଟ ଭବିଷ୍ୟତରେ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ସମ୍ୱାଦର ଲୋକପ୍ରିୟତାର ସ୍ଥାୟୀତ୍ୱ ସଂପର୍କରେ ଆଶାବାଦୀ । ଏହା ଯୁକ୍ତିଯୁକ୍ତ ମନେହୁଏ । ଆନ୍ତର୍ଜାତିକସ୍ତରରେ ଅନେକ ରାଷ୍ଟ୍ରରେ ଗଣମାଧ୍ୟମ ସଂପୃକ୍ତି ହାରାହାରି ଦୈନିକ ସାତଘଣ୍ଟା ହିସାବ କରାଯାଉଥିବା ସ୍ଥଳେ ଭାରତରେ ପାଞ୍ଚ ଘଣ୍ଟାରେ ଥିବା ହେତୁ ଏହି କ୍ଷେତ୍ରରେ ବୃଦ୍ଧି ସଂଭବପର । ହୁଏତ ଡିଜିଟାଲ ମଞ୍ଚ ଅଭିବୃଦ୍ଧିରେ ସିଂହଭାଗଦାବୀ କରିପାରେ । କିନ୍ତୁ ଆଗାମୀ ତିନିରୁ ପାଞ୍ଚ ବର୍ଷ ଯାଏଁ ଉଭୟ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନର ଅଭିବୃଦ୍ଧି ହାର ବଳବତ୍ତର ରହିପାରେ । ତେବେ ୨୦୨୨ ରୁ ୨୫ ମଧ୍ୟରେ ଭାରତରେ ଇଣ୍ଟରନେଟ ସଂଯୁକ୍ତି ୮୦ ପ୍ରତିଶତ ଯାଏଁ ପହଞ୍ଚିବା ଆଶା କରାଯାଏ ।


 

ସବୁଗୁଡ଼ିକଗଣମାଧ୍ୟମ ବିଜ୍ଞାପନ ଆଶ୍ରିତ ହୋଇଥିବା ସ୍ଥଳେକୃତ୍ରିମବୁଦ୍ଧିମତ୍ତାଭଳିଆଧୁନିକ ବୈଷୟିକ କୌଶଳ ପ୍ରୟୋଗରେ ବିଜ୍ଞାପନଦାତାଙ୍କୁ ଉପଭୋକ୍ତା ସମ୍ମୁଖରେ ନିଜକୁ ବିଜ୍ଞାପିତ କରିବା ନିମନ୍ତେ କେଉଁ ମଞ୍ଚ ଉପଯୋଗୀ ହେବ ତାହା ଆକଳନ କରିବା ସମୟ ଆସି ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ବ୍ୟବସାୟିକ ଧାରା ‘ମଡ଼େଲ’ରେ ପରିବର୍ତ୍ତନ ଜରୁରିହେବା ଯେ ଅବଶ୍ୟମ୍ଭାବୀ ଏହା ଦୂରଦ୍ରଷ୍ଟାମାନଙ୍କଆକଳନ । ପୁଣି ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକଉନ୍ମେଷରୁ ଅଭ୍ୟସ୍ତ ବ୍ୟାବସାୟିକ ଧାରା ପରିବର୍ତ୍ତନ ପାଇଁ ଯେ ପାଞ୍ଚ ସାତ ବର୍ଷ ଆଖି ପିଛୁଳାକେ ଉଭେଇଯିବ ଏକଥାରେ କେହି ଦ୍ୱିମତ ହେବେ ନାହିଁ ।


 

ଏହି ଦୃଷ୍ଟିରୁ ଇଣ୍ଡିଆନ ରିଡ଼ରସିପସର୍ଭେ ୨୦୧୯ର ପ୍ରଥମ ଓ ଦ୍ୱିତୀୟ ତ୍ରୈୟମାସିକ ବିବରଣୀରସୁକ୍ଷାତିସୁକ୍ଷ୍ମ ବିଶ୍ଳେଷଣ ଗୁରୁତ୍ୱ ବହନ କରିଥାଏ ।         


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୩ ଅଗଷ୍ଟ ୨୦୧


ତଥ୍ୟ:



Digital news consumption growing, reveals IRS data. Business Standard (Bhubaneswar Edition) August 14, 2019


 

IRS 2019 Q2 reveals the fear of declining newspaper readership. Print Week India. August 19, 2019


https://www.printweek.in/News/irs-2019-q2-reveals-the-fear-of-declining-newspaper-readership-41958

ନିର୍ଭରଯୋଗ୍ୟ ଗଣମାଧ୍ୟମ ସୂତ୍ର ଚୟନ

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମଲ’ରେ ବିଶ୍ୱସନୀୟ ସମ୍ୱାଦ ସୂତ୍ର ଚୟନ ବିଶ୍ୱବାସୀଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରୁଥିବା ସୁସ୍ପଷ୍ଟ । ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆଦ୍ୟ ଭାଗରେ ଯୋଗାଯୋଗ ଓ ଗଣମାଧ୍ୟମ କ୍ଷେତ୍ରରେ ବ୍ୟାପ୍ତି ତଥା ଅର୍ଦ୍ଧାଧିକ ଲୋକସଂଖ୍ୟା ଦୈନିକ ହାରାହାରି ଚାରିରୁ ଛଅଘଣ୍ଟା ଯାଏଁ ଗଣମାଧ୍ୟମରେ ସଂପୃକ୍ତ ରହୁଥାନ୍ତି । ମାନବ ସଭ୍ୟତା ବିକାଶ ଇତିହାସରେ ସର୍ବାଧିକ ପ୍ରାଚୁର୍ଯ୍ୟ ସତ୍ତ୍ୱେ ନିର୍ଭରଯୋଗ୍ୟ ଗଣମାଧ୍ୟମ ସୂତ୍ର ଚୟନରେ ପ୍ରତିବନ୍ଧକ ଏକ ବିଡ଼ମ୍ୱନା ।


 

ଫରାସୀ ଗଣମାଧ୍ୟମ ସମୀକ୍ଷା ପ୍ରତିଷ୍ଠାନ ‘ରିପୋର୍ଟର୍ସ ଉଇଥଆଉଟ ବୋର୍ଡ଼ରର୍ସ’ ପକ୍ଷରୁ ପ୍ରକାଶିତ ‘ୱାର୍ଲଡ଼ ପ୍ରେସ ଫ୍ରିଡ଼ମ ଇଣ୍ଡେକ୍ସ ୨୦୨୧’ ଅନୁଯାୟୀ ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମ ପରିବେଶ ଅନୁଧ୍ୟାନ କରାଯାଇଥିବା ୧୮୦ ଗୋଟି ରାଷ୍ଟ୍ର ମଧ୍ୟରୁ ୭୩ ପ୍ରତିଶତ ରାଷ୍ଟ୍ରରେ ସମ୍ୱାଦ ପରିବେଷଣରେ ସରକାରୀ କଟକଣା ଜାରି ରହିଛି । ଏହି ସବୁ ରାଷ୍ଟ୍ରରେ ସାମ୍ୱାଦିକଙ୍କ ସୁରକ୍ଷା ବିପନ୍ନ ହୋଇପଡ଼ିଥିବା ସ୍ଥଳେ ସମ୍ୱାଦ ସରବରାହ ଯାଞ୍ଚ ‘ସେନସର’ ବ୍ୟବସ୍ଥା ବିଭିନ୍ନସ୍ତରରେ ଲାଗୁ କରାଯାଉଥିବା ଚ଼ିହ୍ନଟ କରାଯାଇଛି ।


 

ବ୍ରିଟେନକେନ୍ଦ୍ରୀକ ଗଣମାଧ୍ୟମ ବିକାଶ ସଂଗଠନ ‘ଥମସନ ରଏଟର୍ସ ଫାଉଣ୍ଡେସନ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଣ୍ଟେନିଓ ଜାପୁଲା ସମସାମୟିକ ଗଣମାଧ୍ୟମ ପରିବେଶକୁ ପ୍ରଭାବିତ କରୁଥିବା ଆଠଗୋଟି ମୁଖ୍ୟ କାରଣ ଚ଼ିହ୍ନଟ କରିଛନ୍ତି । ତାଙ୍କରି ମତରେ ପ୍ରଥମତଃ, ବିଶ୍ୱବ୍ୟାପୀ ଗଣମାଧ୍ୟମର ସ୍ୱାଧୀନତା କ୍ଷୁର୍ଣ୍ଣ ଓ ଯାଞ୍ଚ ବ୍ୟବସ୍ଥା ପାଠକୀୟ ବିଶ୍ୱସନୀୟତା ହ୍ରାସ ନିମନ୍ତେ ଦାୟୀ । ଦ୍ୱିତୀୟତଃ, ଏହି କାରଣରୁ ମୂଳସ୍ରୋତ ‘ମେଇନ ଷ୍ଟ୍ରୀମ’ ଗଣମାଧ୍ୟମଗୁଡ଼ିକର ପାରମ୍ପରିକ ବ୍ୟାବସାୟିକ ମଡ଼େଲ ଅକାମୀ ହୋଇପଡୁଛି ।


 

ତୃତୀୟତଃ, ଗଣମାଧ୍ୟମ ମଞ୍ଚଗୁଡ଼ିକ ବ୍ୟାବସାୟିକସ୍ତରରେ କ୍ଷତିର ସମ୍ମୁଖୀନ ହେଉଛନ୍ତି ଏବଂ ଚ଼ତୁର୍ଥତଃ, ସେହି ହେତୁ ସମ୍ପାଦକୀୟ ସ୍ୱାଧୀନତା ବଜାୟ ରଖିବା ତଥା ଗୁଣବତ୍ତା ବିକାଶ ସଂଭବ ହୋଇପାରୁ ନାହିଁ । ପଞ୍ଚମତଃ, ଅଭାବଗ୍ରସ୍ତ ଗଣମାଧ୍ୟମ ମଞ୍ଚଗୁଡ଼ିକ ନିଜକୁ କୌଣସିମତେ ବଞ୍ଚାଇ ରଖିବା ନିମନ୍ତେ ସ୍ୱେଚ୍ଛାଚାରୀ ପ୍ରଶାସକ, ସରକାରୀ କଳ କିମ୍ୱା ସ୍ୱାର୍ଥପରଙ୍କ ସହାୟତା ଲୋଡ଼ିବାକୁ ବାଧ୍ୟ ହୋଇଥାନ୍ତି । ଏହି ପରିସ୍ଥିତି ମଧ୍ୟ ସମ୍ୱାଦ ମଞ୍ଚର ସ୍ୱାଧୀନତାକୁ ବିପନ୍ନ କରେ ।


 

ଷଷ୍ଠରେ ବୈଷୟିକ ପ୍ରଗତି ସୃଷ୍ଟ ସୋସିଆଲ ମିଡ଼ିଆର ପ୍ରସାରପରେ ସାଧାରଣ ପାଠକଙ୍କ ପାରମ୍ପରିକ ସମ୍ୱାଦ ମଞ୍ଚ ଗୁଡ଼ିକରୁ ଅପସାରଣ ପ୍ରକ୍ରିୟା ଜାରି ରହିଛି । ଆନ୍ତର୍ଜାତିକସ୍ତରରେ ପ୍ରାୟ ୩୧ ପ୍ରତିଶତ ଉପଭୋକ୍ତା ୨୦୨୧ ସୁଦ୍ଧା ସୋସିଆଲ ମିଡ଼ିଆରୁ ସମ୍ୱାଦ ଆହରଣ କରୁଥିବା ହିସାବ କରାଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଅନଲାଇନ ସମ୍ୱାଦ ଉପଭୋକ୍ତାଙ୍କ  ମଧ୍ୟରୁ ୭୨ ପ୍ରତିଶତ କୌଣସି ସମ୍ୱାଦ ୱେବସାଇଟ ବା ଆପ୍ଲିକେସନରୁ ସମ୍ୱାଦ ପାଆନ୍ତି ନାହିଁ । ଅର୍ଥାତ, ଏମାନେ କୌଣସି ସଂଗଠିତ ‘ଅର୍ଗାନାଇଜଡ଼’ ସମ୍ୱାଦ ମଞ୍ଚର ଧାର ମାଡ଼ନ୍ତି ନାହିଁ ।


 

ସପ୍ତମରେ ସୋସିଆଲ ମିଡ଼ିଆ ଅସତ୍ୟ, ଗୁଜବ, ଅତିରଞ୍ଜିତ, ସ୍ୱାର୍ଥ ପ୍ରଣୋଦିତ ଓ ନିମ୍ନମାନର ସମ୍ୱାଦ ବାହକ ହେଉଥିବା ହେତୁ ସମଗ୍ର ଗଣମାଧ୍ୟମ ଉପତ୍ୟକା ପ୍ରଦୂଷିତ ହେବାରେ ଲାଗିଛି । ଇଣ୍ଟରନେଟର ବ୍ୟାପ୍ତି ସୋସିଆଲ ମିଡ଼ିଆ ବ୍ୟବହାର ବୃଦ୍ଧି ସଙ୍ଗେ ସମ୍ୱାଦ ପ୍ରସାରଣରେ ବିଘଟନ ସୃଷ୍ଟି କରୁଛି । ବିଭିନ୍ନ କାରଣରୁ ଏହି ସମସ୍ୟାର ସମାଧାନ ହୋଇପାରୁ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ସମାଧାନର ରାସ୍ତା ପରିଦୃଷ୍ଟ ହେଉନାହିଁ ।


 

ଅଷ୍ଟମରେ ସମ୍ୱାଦପତ୍ର ଓ ଟେଲିଭିଜନ ଭଳି ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ବୈଷୟିକ ପରିବେଶ ତଥା ପାଠକୀୟ ଆଦୃତି ସହ ତାଳ ଦେଇ ଅନଲାଇନ ସମ୍ୱାଦ ପ୍ରକାଶନରେ ପହଞ୍ଚୁଥିବା ସ୍ଥଳେ ବହୁ ସଂଖ୍ୟକ ବିଫଳତାର ଶୀକାର ହେଉଛନ୍ତି । ଏହି ନୂତନ ମାଧ୍ୟମ ନିମନ୍ତେ ଆଗ୍ରହ, ଦୂରଦୃଷ୍ଟି ଓ ନିବେଶ ତିନିଗୋଟି ଦିଗରୁ ଅବହେଳା ମୂଳରୁ ମୂଳସ୍ରୋତର ସମ୍ୱାଦ ମଞ୍ଚଗୁଡ଼ିକର ଡିଜିଟାଲ ଅବତାରକୁ ମଳିନ କରିପକାଉଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଚ଼େଷ୍ଟା ସତ୍ତ୍ୱେ ପାଠକୀୟ ଆଦୃତି ଲାଭ ଆଶା ବୃଥାରେ ପର୍ଯ୍ୟବସିତ ହେବା ଅବଶ୍ୟମ୍ଭାବୀ ।


 

ରଏଟର୍ସ ଫାଉଣ୍ଡେସନର ଅଧ୍ୟକ୍ଷ ‘ଏଡ଼େଲମେନ ଟ୍ରଷ୍ଟ ବରୋମିଟର ୨୦୨୧’ର ତଥ୍ୟ ଉଦ୍ଧାର କରି ଦର୍ଶାଇଛନ୍ତି ଯେ ମହାମାରୀ-ପର ଅବସ୍ଥାରେ ଆନ୍ତର୍ଜାତିକସ୍ତରରେ ୨୮ ଗୋଟି ରାଷ୍ଟ୍ରରେ ଆୟୋଜିତ ସର୍ବେକ୍ଷଣରେ ୫୯ ପ୍ରତିଶତ ଉଚ୍ଚଶିକ୍ଷିତ, ଆର୍ଥିକ ଦିଗରୁ ସ୍ୱଚ୍ଛଳ ଓ ସମକାଳୀନ ସାମାଜିକ ବ୍ୟବସ୍ଥାରେ ରୁଚ଼ି ରଖୁଥିବା ପାଠକ ସମ୍ୱାଦିକମାନେ ଜ୍ଞାତସାରରେ ପ୍ରଚଳିତ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଅସତ୍ୟ ସମ୍ୱାଦ ପରିବେଷଣ କରୁଥିବା ଅଭିଯୋଗ କରିଥାନ୍ତି ।


 

‘ଏଡ଼େଲମେନ ଟ୍ରଷ୍ଟ ବରୋମିଟର’ ପକ୍ଷରୁ ବିଗତ ୨୦ ବର୍ଷ ଧରି ଜନସାଧାରଣରେ ବିଶ୍ୱସନୀୟତା ସଂପର୍କରେ ଅଧ୍ୟୟନ ଜାରୀ ରହିଛି । ସଂସ୍ଥା ପକ୍ଷରୁ ସର୍ବେକ୍ଷଣଭିତ୍ତିକ ବାର୍ଷିକ ବିବରଣୀ ପ୍ରକାଶିତ ହୋଇଥାଏ । ସର୍ବଶେଷ ୨୦୨୧ ରିପୋର୍ଟରେ ୫୭ ପ୍ରତିଶତ ଜନସାଧାରଣ ସରକାର କର୍ମଚାରୀ, ରାଜନେତା ଏବଂ ୫୬ ପ୍ରତିଶତ ଜନସାଧାରଣ ବ୍ୟବସାୟ ନେତୃବର୍ଗ ବିଭ୍ରାନ୍ତିକର ସମ୍ୱାଦ ପରିବେଷଣରେ ଅଂଶୀଦାର ଥିବା ବିଶ୍ୱାସ କରନ୍ତି । ସେହିପରି ୫୩ ପ୍ରତିଶତ ପାରମ୍ପରିକ ସମ୍ୱାଦ ମଞ୍ଚ ଓ ୩୫ ପ୍ରତିଶତ ସୋସିଆଲ ମିଡ଼ିଆରେ ବିଶ୍ୱାସ ରଖୁଥିବା ଜଣାଯାଏ ।


 

ସମ୍ୱାଦ ଗ୍ରହୀତାଙ୍କ ଆଚ଼ରଣ ମଧ୍ୟ ସମ୍ୱାଦ ସରବରାହରେ ଗୁରୁତ୍ୱପୂର୍ଣ୍ଣ । ଏଡ଼େଲମେନ ସର୍ବେକ୍ଷଣ ଅନୁଯାୟୀ ପ୍ରତି ଚାରିଜଣରେ ମାତ୍ର ଜଣେ ସମ୍ୱାଦ-ସ୍ୱଚ୍ଛତା ‘ଇନଫରମେସନ ହାଇଜିନ’ ଦିଗରେ ଆଗ୍ରହୀ ଥିବା ଦର୍ଶାଯାଇଛି । ସମ୍ୱାଦ-ସ୍ୱଚ୍ଛତା ଅର୍ଥ ନିୟମିତ ସମ୍ୱାଦ ଆହରଣ, ପକ୍ଷଭୁକ୍ତ ସମ୍ୱାଦ କ୍ଷେତ୍ରରେ ନିଜକୁ ସଂଜତ ରଖିବା, ସମ୍ୱାଦ ଯାଞ୍ଚ ଓ ଅସମର୍ଥିତ ସମ୍ୱାଦ ପୁନଃ ପ୍ରସାରଣରୁ କ୍ଷାନ୍ତ ରହିବାକୁ ବୁଝାଇଥାଏ । ପରିବର୍ତ୍ତିତ ପରିବେଶରେ ସମ୍ୱାଦ ସରବରାହ ବୃତ୍ତିଧାରୀଙ୍କ ପରିଧିରୁ ସଂପ୍ରସାରିତ ହୋଇ ସୋସିଆଲ ମିଡ଼ିଆରେ ସର୍ବସାଧାରଣରେ ପହଞ୍ଚିଥିବା ଅବସରରେ ସମ୍ୱାଦ-ସ୍ୱଚ୍ଛତା ଆଚ଼ରଣ କୌଣସି ଭୌଗଳିକ ପରିବେଶରେ ସାମ୍ୱାଦିକତା ଗୁଣବତ୍ତାରେ ଅଂଶୀଦାର ।


 

ରଏଟରର୍ସ ଫାଉଣ୍ଡେସନର ଅଧ୍ୟକ୍ଷ ସମ୍ୱାଦ ମଞ୍ଚଗୁଡ଼ିକୁ ଅକାଳ ମୃତ୍ୟୁରୁ ବର୍ତ୍ତିଯିବା ନିମନ୍ତେ ଅଭିବନ ବ୍ୟାବସାୟିକ ମଡ଼େଲ ପ୍ରବର୍ତ୍ତନ ସପକ୍ଷରେ ମତ ରଖିଥିଲେ । ସମ୍ୱାଦ ମଞ୍ଚର ଆୟ ଉପଭୋକ୍ତାକେନ୍ଦ୍ରୀକ ହେଲେ ବହୁ ସମସ୍ୟାରୁ ମୁକ୍ତି ମିଳିବ । ଗୁଣାତ୍ମକ ସାମ୍ୱାଦିକତା ଗ୍ରାହକଙ୍କୁ ଆକୃଷ୍ଟ କରିବ ଏବଂ ଗ୍ରାହକ ଆର୍ଥିକ ସହଯୋଗ ଦେଲେ ସମ୍ୱାଦ ମଞ୍ଚଗୁଡ଼ିକର ପରମୁଖାପେକ୍ଷିତା ନୀତି ପ୍ରତ୍ୟାହାର ସମ୍ଭବ । ସେ କହିଛନ୍ତି ଯେ ଏଭଳି ପଦକ୍ଷେପର ସଫଳତାକୁ ନେଇ ସଂଶୟ ସୃଷ୍ଟି ହେଉଥିଲେହେଁ ଆନ୍ତର୍ଜାତିକସ୍ତରରେ ଉଦାହରଣଗୁଡ଼ିକରୁ ସମସ୍ତଙ୍କ ଶିଖିବା ଅଛି । ଫିଲିପାଇନ୍ସର ନୋବଲ ବିଜୟୀ ମାରିଆ ରେସାଙ୍କ ‘ରାପଲର’ ସଫଳତା ସଂପର୍କରେ ଉଲ୍ଲେଖ କରିଥିଲେ ।


 

ନିର୍ଭରଯୋଗ୍ୟ ସମ୍ୱାଦ ମଞ୍ଚ ପ୍ରଯୋଜନା ନିମନ୍ତେ ତୁରନ୍ତ ପଦକ୍ଷେପ ଜରୁରୀ । ସମ୍ୱାଦ ମଞ୍ଚଗୁଡ଼ିକୁ ସ୍ୱାଧୀନ ‘ଇଣ୍ଡିପେଣ୍ଡଣ୍ଟ’, ବହୁବାଦୀ ‘ପ୍ଲୁରାଲ’ ଏବଂ ଗ୍ରହଣୀୟ ‘ଏସେସବଲ’ ଗଢ଼ି ତୋଳିବା ନିମନ୍ତେ ଉଦ୍ୟମ ନିବେଶ, ଶ୍ରମ ଓ ସମୟ ତୁଳନାରେ ଦୃଷ୍ଟିକୋଣ ପରିବର୍ତ୍ତନର ଗୁରୁତ୍ୱ ଅଧିକ । ସାମ୍ୱାଦିକତାର ଗୁଣାତ୍ମକ ବିକାଶ ଜନହିତରେ ଗଣତନ୍ତ୍ର ସୁରକ୍ଷା ନିମନ୍ତେ ଅପରିହାର୍ଯ୍ୟ ହୋଇଥିବା କାରଣରୁ ଏଦିଗରେ ଉଦ୍ୟମ ପ୍ରାଥମିକତା ଦାବୀ କରିଥାଏ ।          


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩ ଡ଼ିସେମ୍ୱର ୨୦୨୧


ତଥ୍ୟ :

 


Zapulla, Antonio, Independent journalism is a public good. We must work together to protect it. World Economic Forum. May 03, 2021


 

www.weforum.org/agenda/2021/05/when-journalism-is-public-good-media-freedom


 

2021 Edelman Trust Baro-Meter



www.edelman.com/trust/2021-trust-barometer/press-release

ମୋବାଇଲ-ଫାଷ୍ଟ ସାମ୍ୱାଦିକତା

ଗଣମାଧ୍ୟମ ପରିବେଶରେ ‘ମୋବାଇଲଫାଷ୍ଟ’ କହିଲେ ମୁଦ୍ରଣ, ଟେଲିଭିଜନ ଓ ଚଳଚ଼ିତ୍ର ମଞ୍ଚଗୁଡ଼ିକରେ ପରିବେଷିତ ବିଷୟବସ୍ତୁ ‘କଣ୍ଟେଣ୍ଟ’ ମୋବାଇଲଭିତ୍ତିକ ସଂସ୍କରଣର ପ୍ରାଥମିକତାକୁ ବୁଝାଇଥାଏ । ଇଣ୍ଟରନେଟକେନ୍ଦ୍ରୀକ ମୋବାଇଲ ଉପକରଣଗୁଡ଼ିକ ମଧ୍ୟରେ ଲାପଟପ, ଟେବଲେଟ ଓ ସ୍ମାର୍ଟଫୋନ ଇତ୍ୟାଦି ଅନ୍ତର୍ଭୁକ୍ତ । ବିଂଶ ଶତାଦ୍ଦୀର ଶେଷ ଦଶକ ଆରମ୍ଭରୁ ସ୍ମାର୍ଟଫୋନର ବିକାଶ ପ୍ରକ୍ରିୟା ତ୍ଵରାନ୍ଵିତ ହୋଇଥିଲେ ହେଁ ୨୦୦୭ରେ ଏପଲ ଆଇଫୋନ ଓ ୨୦୦୮ରେ ଏଣ୍ଡ୍ରୋଏଡ଼ ଅପରେଟିଂ ସିଷ୍ଟମର ପ୍ରଚଳନ ସ୍ମାର୍ଟଫୋନ ବ୍ୟବହାର ଖୁବ କମ ସମୟ ମଧ୍ୟରେ ଆଶାତୀତ ପ୍ରସାର ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକର ଅନ୍ୟତମ ବିସ୍ମୟ । ୨୦୧୨ ସୁଦ୍ଧା ବିଶ୍ୱବ୍ୟାପୀ ଏକ ହଜାର କୋଟି ସ୍ମାର୍ଟଫୋନ ଉପଭୋକ୍ତା ଗଣତି କରାଯାଇଥିଲା । ୨୦୨୦ ଆରମ୍ଭରେ ଭାରତରେ ବ୍ୟବହୃତ ୫୨ କୋଟି ସ୍ମାର୍ଟଫୋନ ୨୦୨୨ ସୁଦ୍ଧା ୯୦ କୋଟିରେ ପହଞ୍ଚିବା ଆକଳନ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ‘ଲିଗାସିମିଡ଼ିଆ’ ମୋବାଇଲଫାଷ୍ଟ ଆଭିମୁଖ୍ୟ ଗୁରୁତ୍ୱବହନ କରିଥାଏ ।


 

ମୁଦ୍ରିତ ସମ୍ୱାଦପତ୍ରକ୍ଷେତ୍ରରେ ଡ଼ିଜିଟାଲ ପରିବେଶରେ ଯେକୌଣସି ପ୍ରହରରେ ସମ୍ୱାଦ ପ୍ରଯୋଜିତ ହେବାପରେ ପ୍ରକାଶନ ନିମନ୍ତେ ମୁଦ୍ରଣ ସମୟକୁ ଅପେକ୍ଷା ନକରି ତତକ୍ଷଣାତ ସାଧ୍ୟମତେ ନିଜ ୱେବପେଜ ପ୍ରକାଶନ କରାଯାଏ । ସୋସିଆଲ ମିଡ଼ିଆ ମଞ୍ଚରେ ପାଠକମାନଙ୍କୁ ଘଟଣା ସଂପର୍କରେ ମୌଳିକ ତଥ୍ୟ ଜଣାଇ ଦିଆଯାଇ ବିସ୍ତୃତ ବିବରଣୀ ଅନୁସନ୍ଧାନରେ ନିର୍ଦ୍ଧାରିତ ୱେବପେଜ କିମ୍ୱା ମୁଦ୍ରିତ ସମ୍ୱାଦପତ୍ର ପରିଦର୍ଶନ କରିବା ନିମନ୍ତେ ପ୍ରବର୍ତ୍ତା ଯାଇଥାଏ । ସେହିପରି ଟେଲିଭିଜନ କ୍ଷେତ୍ରରେ ଦୃଶ୍ୟଶ୍ରାବ୍ୟ ବିଷୟବସ୍ତୁ ‘ଭିଡ଼ିଓ କଣ୍ଟେଣ୍ଟ’ରୁ କିୟକାଂଶ ପ୍ରାଥମିକଭାବେ ସୋସିଆଲ ମିଡ଼ିଆ ଏକାଉଣ୍ଟରେ ପୋଷ୍ଟ କରାଯିବାପରେ ବିସ୍ତୃତ ବିବରଣୀ ନିମନ୍ତେ ଦର୍ଶକମାନଙ୍କୁ ୱେବପେଜ କିମ୍ୱା ଟେଲିଭିଜନର ପରବର୍ତ୍ତୀ ସମ୍ୱାଦ ସଂସ୍କରଣ ‘ନିଉଜକାଷ୍ଟ’ ପରିଦର୍ଶନ ନିମନ୍ତେ ପ୍ରୋତ୍ସାହିତ କରାଯାଇଥାଏ । ପରିବର୍ତ୍ତିତ ପରିବେଶରେ ଉପଭୋକ୍ତାମାନେ ଉଭୟ ୱେବ ଓ ସୋସିଆଲ ମିଡ଼ିଆ ମଞ୍ଚ ଗୁଡ଼ିକୁ ସ୍ମାର୍ଟଫୋନ ପରଦାରେ ଆହରଣ କରିଥାନ୍ତି ।


 

ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଉଭୟ କ୍ଷେତ୍ରରେ ସୋସିଆଲ ମିଡ଼ିଆ ମଞ୍ଚରେ ପ୍ରକାଶିତ ସୃଜନ ମୋବାଇଲଫୋନ ପରଦାରେ ପ୍ରଦର୍ଶିତ ହେଉଥିବା ହେତୁ ମୂଳ ଚରନା ତଥା କାର୍ଯ୍ୟକ୍ରମଠାରୁ ସଂପୂର୍ଣ୍ଣ ଭିନ୍ନ ହେବା ବାଞ୍ଛନୀୟ । ଏଥି ନିମନ୍ତେ ପୁନଃଲିଖନ ତଥା ସମ୍ପାଦନା ଆବଶ୍ୟକ ପଡ଼ିଥାଏ । ସମ୍ୱାଦପତ୍ରରେ ସ୍ଥାନିତ ରଚନା କିମ୍ୱା ସଂବାଦ ସଂସ୍କରଣରେ ସ୍ଥାନିତ ଭିଡ଼ିଓ ସ୍ମାର୍ଟଫୋନ ଭଳି ଉପକରଣଗୁଡ଼ିକରେ ପ୍ରଦର୍ଶନ ଦୀର୍ଘତା କାରଣରୁ ପାଠକ କିମ୍ୱା ଦର୍ଶକଙ୍କୁ ଆଗ୍ରହକୁ ବାନ୍ଧି ରଖିପାରେ ନାହିଁ । ମୋବାଇଲଫାଷ୍ଟ ରଚନା ସଂକ୍ଷିପ୍ତ ଓ ସାବଲୀଳ ହେବା ଉଚିତ । ଭିଡ଼ିଓଗୁଡ଼ିକ ସଂକ୍ଷିପ୍ତ ‘ଡ୍ୟୁରେସନ’, ସଂକ୍ଷିପ୍ତ ଦୃଶ୍ୟାବଳୀ ‘କୁଇକର କଟସ’, ବର୍ଣ୍ଣନା ବଦଳରେ ଆକ୍ଷରିକ ଉପସ୍ଥାପନା ‘ସବ-ଟାଇଟଲ’ ଏବଂ ଦୃତଗତି‘ ଫାଷ୍ଟର ପେସ’ ଭଳି କୌଶଳ ଉପଯୋଗ କରାଯାଇଥାଏ ।


 

ସମ୍ୱାଦ ପ୍ରଯୋଜନା କାଳରେ ଆରମ୍ଭରୁ ମୂଳ ଓ ମୋବାଇଲଫାଷ୍ଟଦୁଇ ଶ୍ରେଣୀର ସୃଜନ ନିମନ୍ତେ ଯୋଜନା ପ୍ରସ୍ତୁତ ହେବା ଉତ୍ତମ ପନ୍ଥା । ଫଳରେ ମୋବାଇଲଫାଷ୍ଟ ବିଷୟ ମୂଳ ବିଷୟର ସଂକ୍ଷିପ୍ତ ରୂପାନ୍ତର ପରିଣତ ନହୋଇ ନିଜସ୍ୱ ପରିଚିତି ‘ଆଇଡ଼େଣ୍ଟି’ ହାସଲ କରିବାରେ ସକ୍ଷମ ହେବା ଆଶା କରାଯାଇପାରେ ।


 

ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଲାଗି ବିଷୟବିନ୍ୟାସ ଓ ପ୍ରଯୋଜନା ଶୈଳୀ ମୂଳ ସଂସ୍କରଣଠାରୁ ୱେବ ସଂସ୍କରଣ ଭିନ୍ନ ହୋଇଥିବା ସ୍ଥଳେ, ୱେବ ସଂସ୍କରଣଠାରୁ ମୋବାଇଲଫାଷ୍ଟ ସଂସ୍କରଣ ଭିନ୍ନତା ଦାବୀ କରେ । ମୂଳ ଡ଼ିଜିଟାଲସଂସ୍କରଣଗୁଡ଼ିକ ସାଧାରଣତଃ ଡ଼େସ୍କଟପ କମ୍ପ୍ୟୁଟର ମାଧ୍ୟମରେ ଆହରଣ କରାଯାଇଥାଏ । ଏଥିରେ କି-ବୋର୍ଡ଼ ଓ ମାଉସ ବ୍ୟବହାରର ସୁବିଧା ଉପଲବ୍ଧ । ଡ଼େସ୍କଟପ କ୍ଷେତ୍ରରେ ପାଠକ କିମ୍ୱା ଦର୍ଶକ ସ୍ଥିରରୂପେ ବୃହତ ପ୍ରଦର୍ଶନ ପରଦା ସାମନାରେ ଉପସ୍ଥିତ ରହୁଥିବା ସ୍ଥଳେ ସ୍ମାର୍ଟଫୋନ ମୁଖ୍ୟତଃ ଚଳପ୍ରଚଳ ପରିସ୍ଥିତିରେ ଅପେକ୍ଷାକୃତ କମ ଆୟତନର ପରଦା ବ୍ୟବହାରକୁ ସୂଚାଇଥାଏ । ଡ଼େସ୍କଟପରେ ପଢ଼ିବା ବାରମ୍ୱାର ପଢ଼ି ବୁଝିବାକୁ ଚେଷ୍ଟା କରିବା ଏବଂ ଉତ୍ତର ଟାଇପ କରିବା ସହଜ । ସ୍ମାର୍ଟଫୋନରେ ପ୍ରଦର୍ଶନ ପରଦା ଛୋଟଥିବା ହେତୁ ସୀମିତ ରଚନା ସନ୍ନିବେଶିତ ଥିବା କାରଣରୁ ବିଷୟବସ୍ତୁର ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଅଂଶ ଲିପିବଦ୍ଧ କରାଯାଇଥାଏ । ମୋବାଇଲ ପରଦା ସ୍ୱର୍ଶକେନ୍ଦ୍ରୀକ ହୋଇଥିବା ହେତୁ ପ୍ରଯୋଜକ ‘ଡ଼େଭଲାପର’ମାନେ ସେଦିଗ ପ୍ରତି ଗୁରୁତ୍ୱ ଆରୋପ କରିଥାନ୍ତି ।


 

ବୈଷୟିକ କୌଶଳ ଉପଯୋଗରେ ୱେବସାଇଟରେ ଉପଲବ୍ଧ ପାଠ୍ୟ ପ୍ରଦର୍ଶନ ତତକ୍ଷଣାତ ମୋବାଇଲ ପରଦାକେନ୍ଦ୍ରୀକ ସଂସ୍କରଣକୁ ପରିବର୍ତ୍ତନ ସଂଭବପର । ତେବେ ପାଠ୍ୟର ବିଷୟବସ୍ତୁ ଓ ଆଙ୍ଗୀକ ସୃଜନ ନିର୍ଭରଶୀଳ । କ୍ଳାଉଡ଼ କମ୍ପ୍ୟୁଟିଂ ବ୍ୟବହାର ପରବର୍ତ୍ତୀ ଅବସ୍ଥାରେ ଇଣ୍ଟରନେଟଯୋଗେ ବ୍ୟବହାର ନିମନ୍ତେ ଅସୀମିତ ପାଠ୍ୟ ଓ ଚ଼ିତ୍ର ଗଚ୍ଛିତ ରଖିବା ସୁଯୋଗ ସୃଷ୍ଟି ହୋଇପାରିଛି । ଏହି କାରଣରୁ ମୋବାଇଲ ପରଦାରେ ପାଠକ ଓ ଦର୍ଶକମାନେ ନିଜ ଆବଶ୍ୟକତା ଓ ରୁଚିମତେ ପାଠ୍ୟ ଓ ଚିତ୍ର ସଂଗ୍ରହ ସହଜପ୍ରଦ ହେବା ମୋବାଇଲଫାଷ୍ଟ ପରିବେଶକୁ ଅଧିକ ଲୋକପ୍ରିୟ ଓ ଉପଯୋଗୀ ଗଢ଼ି ତୋଳିଛି । ସମସ୍ତ ପ୍ରକାର ତଥ୍ୟ ସଂଗ୍ରହ ନିମନ୍ତେ ମୋବାଇଲ କେନ୍ଦ୍ରବିନ୍ଦୁ ପାଲଟିଥିବା ଅବସରରେ କେବଳ ସମ୍ୱାଦପତ୍ର କାହିଁକି ଯେକୌଣସି ବିଷୟ ତାହାର ଡ଼ିଜିଟାଲ ନୀତିନିର୍ଦ୍ଧାରଣ ‘ଷ୍ଟାଟାଜି’ରେ ଏଭଳି ମଞ୍ଚରେ ଉପସ୍ଥିତିକୁ ହାଲକାଭାବେ ଗ୍ରହଣ କରିପାରିବ ନାହିଁ ।


 

ମୋବାଇଲଫାଷ୍ଟ ପରିବେଶରେ ଭିଡ଼ିଓ ପ୍ରଦର୍ଶନ ଗୁରୁତ୍ୱ ବହନ କରୁଛି । ଅଧିକାଂଶ ପଢ଼ିବା ବଦଳରେ ଦେଖିବା ଓ ଶୁଣିବାକୁ ପସନ୍ଦ କରୁଛନ୍ତି । ଏହିକାରଣରୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଭିଡ଼ିଓ ସାଙ୍ଗକୁ ପଡ଼କାଷ୍ଟ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ସାମ୍ୱାଦପତ୍ରଲାଗି ନିଯୁକ୍ତ ସାମ୍ୱାଦିକମାନେ ସମ୍ୱାଦ ସଂଗ୍ରହ କାଳରେ ଘଟଣା ସଂପର୍କୀତ ଭିଡ଼ିଓ ଉତ୍ତୋଳନ ଆବଶ୍ୟକତାରେ ପରିଣତ ହୋଇଛି । ମୋବାଇଲ ଯୋଗେ ଚ଼ିତ୍ର ଉତ୍ତୋଳନ, ସଂପାଦନା ଓ ପ୍ରେରଣ ସଂଭବପର ହୋଇପାରୁଥିବା ହେତୁ ଭିଡ଼ିଓ ପ୍ରଯୋଜନା ଆଉ କୁଶଳୀ କାରିଗରଙ୍କ କାର୍ଯ୍ୟପରିସରଭୁକ୍ତ ହେଉନାହିଁ । ଏଥିଲାଗି ସମ୍ୱାଦପତ୍ରର ସାମ୍ୱାଦିକମାନଙ୍କୁ ପ୍ରଶିକ୍ଷଣର ସମୟ ଉପନୀତ ।


 

ସାଧାରଣ କ୍ଷେତ୍ରରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କ ଦ୍ୱାରା ଭିଡ଼ିଓ ପ୍ରଯୋଜନା ଗୁଣାତ୍ମକ ନହୋଇ ପାରିଲେ ମଧ୍ୟ ବିଷୟବସ୍ତୁର ଗୁରୁତ୍ୱ ଭରି ରହିବା କାରଣରୁ ଆବଶ୍ୟକସ୍ଥଳେ ସାମ୍ୱାଦିକମାନେ ସର୍ବସାଧାରଣଙ୍କ ମୋବାଇଲ କ୍ୟାମେରା କିମ୍ୱା ଆଞ୍ଚଳିକସ୍ତରରେ ପ୍ରସାରିତ ସୋସିଆଲ ମିଡ଼ିଆ ମଞ୍ଚରୁ କୌଣସି ଘଟଣାର ସଦ୍ୟ ଉତ୍ତୋଳିତ ଚିତ୍ର ସଂଗ୍ରହ କରି ସ୍ଥାନିତ କରିଥାନ୍ତି । ଏହି ଚିତ୍ର ସମୂହ ଡ଼ିଜିଟାଲ ମଞ୍ଚ ନିମନ୍ତେ ଭିଡ଼ିଓ ପ୍ରସ୍ତୁତିରେ ସହାୟକ ହୋଇଥାଏ । ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ପକ୍ଷେ ଏତାଦୃଶ ଆଚରଣ ଟେଲିଭିଜନ ସାମ୍ୱାଦିକତାର ଅଂଶବିଶେଷ ପ୍ରତୀୟମାନ ହେଲେହେଁ ସମ୍ୱାଦପତ୍ରଗୁଡ଼ିକୁ ପାଠକ ସଂଗ୍ରହ ଉଦ୍ଦେଶ୍ୟରେ ବହୁମୁଖୀ ଗଣମାଧ୍ୟମ ମଞ୍ଚ ‘ମଲଟି ମିଡ଼ିଆ’ ବ୍ୟବହାରକୁ ଏଡ଼ାଇ ଦେଇ ହେବ ନାହିଁ ।


 

ଅପରପକ୍ଷେ ମୋବାଇଲ ଉପଭୋକ୍ତା ଏବଂ ଅଳ୍ପ ଶିକ୍ଷିତ ବର୍ଗ ଭିଡ଼ିଓ ପ୍ରତି ଆସକ୍ତ ଥିବା ହେତୁ ଡ଼ିଜିଟାଲ ମଞ୍ଚରେ ଉପସ୍ଥିତି ମାତ୍ରେ ଭିଡ଼ିଓ ପ୍ରତି ଗୁରୁତ୍ୱ ଆରୋପ କରିବାକୁ ହିଁ ପଡ଼ିବ । ଭବିଷ୍ୟତରେ ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ସମ୍ୱାଦ ସଂଗ୍ରହ କାଳରେ ତଥ୍ୟ ଉଭୟ ମୁଦ୍ରଣ ବିବରଣୀ ଓ ଭିଡ଼ିଓ କାର୍ଯ୍ୟକ୍ରମଲାଗି ଧ୍ୟାନ ଦେବା ଅପରିହାର୍ଯ୍ୟ ହୋଇପଡ଼ିବାଅନୁମାନ କରାଯାଇପାରେ ।


 

ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଚ୍ୟାନେଲଗୁଡ଼ିକ ପକ୍ଷରୁ ମୋବାଇଲଫାଷ୍ଟ ସଂପାଦକୀୟ ନୀତି ପ୍ରବର୍ତ୍ତନ କାଳରେ ନୂତନ କର୍ମଚାରୀ ନିଯୁକ୍ତି ବଦଳରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ପ୍ରଶିକ୍ଷିତ କରାଇବା ବିଧେୟ । ଜାତୀୟସ୍ତରରେ ଇଂଲିଶ ଓ ହିନ୍ଦି ସମ୍ୱାଦପତ୍ର ତଥା ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ଏଦିଗରେ ନିକଟ ଅତୀତରେ ପରୀକ୍ଷାନିରୀକ୍ଷା ସମାହିତ ହୋଇ ସାରିଛି । ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ମୋବାଇଲ ଉପସ୍ଥିତି ଧାରା ଆରମ୍ଭ ହୋଇସାରିଥିବା ସ୍ଥଳେ ସୁସଂହତ କରିବା ନିମନ୍ତେ ଉଦ୍ୟମ କରାଯିବା ଆବଶ୍ୟକ । ପ୍ରାଥମିକସ୍ତରରେ ଏଦିଗରେ ସୁଚିନ୍ତିତ ମଡ଼େଲ ପ୍ରସ୍ତୁତ କରାଯାଇପାରିଲେ ତାହାର ଉପଯୋଗ ଓ ସାମୟିକ ସମୀକ୍ଷା ସହଜ ହେବ ।           


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୦ ଜାନୁୟାରୀ ୨୦୨


ତଥ୍ୟ:



Lango, Riley Graham. Mobile First : What does it mean ? March 05, 2012 


www.nxmatters.com/mt/archives/2012/03/mobile-first-what-does-it-mean.php


 

Bogardus, Ben. Local TV news is going # Digital First. August 20, 2019.



www.rtdna.org/article/local-tv-news-is-going-#DigitalFirst

ସ୍ଥାନୀୟ ସାମ୍ୱାଦିକତାର ପୁନଃବିନ୍ୟାସ

ସ୍ଵାୟତ୍ତ ଶାସନ ଗଣତାନ୍ତ୍ରିକ ଶାସନ ପଦ୍ଧତିର ମୂଳ ଆଧାର । ନାଗରିକମାନେ ନିଜ ନିଜ ଅଞ୍ଚଳର ରାଜନୀତିକ, ସାମାଜିକ, ସାଂସ୍କୃତିକ ଜୀବନଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟରକ୍ଷା, ଶିକ୍ଷାପ୍ରସାର ତଥା ପରିବେଶ ସଂରକ୍ଷଣ ଯାଏଁ ପ୍ରତ୍ୟେକ ବିଷୟରେ ବିକାଶ କ୍ଷେତ୍ରରେ ନିଜେ ନୀତିନିର୍ଦ୍ଧାରଣ ଓ କାର୍ଯ୍ୟକ୍ରମ ରୂପାୟନରେ ଅଂଶ ଗ୍ରହଣ କରିବା ନିମନ୍ତେ ସ୍ଵାୟତ୍ତ ଶାସନ ଭିତ୍ତିଭୂମି ଗଢ଼ିତୋଳେ । ଗୋଷ୍ଠୀବଦ୍ଧ ଜୀବନଯାପନରେ ଗଣମାଧ୍ୟମର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଆଞ୍ଚଳିକ ସ୍ଥିତାବସ୍ଥା ବିଚ଼ାରକୁ ନେଇ ପ୍ରସଙ୍ଗ ଉପସ୍ଥାପନ, ସରକାରୀ ଓ ବେସରକାରୀସ୍ତରରେ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକ୍ରମ ରୂପାୟନ ସାଙ୍ଗକୁ ସାମୟିକ ମୂଲ୍ୟାୟନ ଓ ସମ୍ଭାବ୍ୟ ଭବିଷ୍ୟତ ଆକଳନ ଇତ୍ୟାଦି ପ୍ରତ୍ୟେକଟି ବିଷୟରେ ପାରସ୍ପରିକ ବିଚ଼ାରବିମର୍ଷକଳ୍ପେଗଣମାଧ୍ୟମ ପରିବେଶ ସୃଷ୍ଟି କରିଥାଏ ।


 

ଅଷ୍ଟାଦଶ ଶତାଦ୍ଦୀରେ ପାଶ୍ଚାତ୍ୟ ଭୂଖଣ୍ଡ ଓ ଊନବିଂଶ ଶତାଦ୍ଦୀରେ ଭାରତରେ ମୁଦ୍ରିତ ସାମ୍ୱାଦିକତା ବିକଶିତ ହୋଇଥିଲା । ତେବେ ବିଂଶ ଶତାଦ୍ଦୀର ମଧ୍ୟଭାଗରେ ଆମଦେଶରେ ସମ୍ୱାଦପତ୍ର ଗଣତାନ୍ତ୍ରିକ ଶାସନ ପଦ୍ଧତିକୁ ରୁଦ୍ଧିମନ୍ତକରିବା ନିମନ୍ତେ ପୁରପଲ୍ଲୀରେ ପ୍ରଭାବ ବିସ୍ତାର କରିଥିଲା । ବିଶେଷକରି ୧୯୭୫-୭୭ରେ ଦେଶରେ ଆଭ୍ୟନ୍ତରୀଣ ଜରୁରି ପରିସ୍ଥିତି ଜାରୀ-ପର ଅବସ୍ଥାରୁ ଭାରତୀୟ ସାମ୍ୱାଦିକତାରେ ଗ୍ରାମାଞ୍ଚଳ ସମ୍ୱାଦ ପରିବେଷଣକୁ ପ୍ରାଧାନ୍ୟ ଦିଆଗଲା । ସ୍ଥାନୀୟ ସମ୍ୱାଦପତ୍ରଗୁଡ଼ିକଆଞ୍ଚଳିକଭିତ୍ତିରେନାଗରିକଙ୍କ ନିତିଦିନିଆ ଜୀବନର ସୁବିଧାଅସୁବିଧାଆଲୋଚ଼ନା ତଥା ସରକାରୀ ବ୍ୟବସ୍ଥାରେ ଚ଼ାପପ୍ରୟୋଗକରିପ୍ରଶାସନିକସ୍ତରରେଲୋକାଭିମୁଖୀନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକ୍ରମ ପ୍ରଣୟନରେ ସହାୟକ ହୋଇପାରିଥିଲେ ।


 

ସାମ୍ୱାଦିକତା ଏକ ସର୍ଜନଶୀଳ କଳା । ସମୟାନ୍ତେ ସର୍ବତ୍ର ସ୍ଥାନୀୟ ସମ୍ୱାଦପତ୍ର ଆଙ୍ଗୀକରେ ପୁନଃବିନ୍ୟାସ ଆବଶ୍ୟକ ପଡିଥାଏ । ସାମାଜିକ ଧାରା ପ୍ରବାହମାନ । ଏଥିରେ ସାମିଲ ହୋଇ ପ୍ରଭାବ ବିସ୍ତାର କରିବା ନିମନ୍ତେ ସାମ୍ୱାଦିକତା ସମୟାନ୍ତେ ନବକଳେବର ଧାରଣ କରିବା ଜରୁରୀ । ବିଶ୍ୱବ୍ୟାପୀସଫଳ ସମ୍ୱାଦପତ୍ରଗୁଡ଼ିକର ଇତିହାସ ଅନୁଧ୍ୟାନ କଲେ ଏହାର ଭଳିକି ଭଳି ଉଦାହରଣ ସୁସ୍ପଷ୍ଟ । ଦୈନିକ ସମ୍ୱାଦପତ୍ରର ଉତ୍କର୍ଷତା ସଦାସର୍ବଦା ସଂପୃକ୍ତ ପ୍ରକାଶନର ସମ୍ପାଦକୀୟ ନୀତି ଉପରେ ପର୍ଯ୍ୟବସିତ । ଏହି କ୍ଷେତ୍ରରେ ମୌଳିକତା ଓ ସ୍ୱଚ୍ଛତା ଅଭାବ ସାମ୍ୱାଦିକତାର ପୁନଃବିନ୍ୟାସରେ ଅନ୍ତରାୟ ସାଜିଥାଏ ।


 

ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷଭାଗରେ ଓଡ଼ିଶା ସମେତ ଦେଶର ଅନ୍ୟତ୍ର ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକଏକ ପରିବର୍ତ୍ତିତ ଗଣମାଧ୍ୟମ ପୃଷ୍ଠଭୂମିରେ ଅବତୀର୍ଣ୍ଣ । ଗ୍ରାମାଞ୍ଚଳରେ ଟେଲିଭିଜନ ଓ ସୋସିଆଲ ମିଡ଼ିଆର ବ୍ୟାପ୍ତି ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ପ୍ରତିଯୋଗିତାପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛି । ଅପହଞ୍ଚ ଅଞ୍ଚଳରେ ପ୍ରତିପରିବାରକୁ ବିଦ୍ୟୁତ ସଂଯୋଗ ସମ୍ଭବପର ହେବାପରେ ଟେଲିଭିଜନ ଦର୍ଶକ ସଂଖ୍ୟା ବଢ଼ିଯାଇଛି ଏବଂ ହାରାହାରିଭାବେ ପ୍ରତ୍ୟେକ ବ୍ୟକ୍ତି ଚ଼ାରିଘଣ୍ଟା ଯାଏଁ ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି । ସେହିପରି ଇଣ୍ଟରନେଟ ସଂଯୋଗ ୬୫ କୋଟିରେ ପହଞ୍ଚିବା ଏବଂ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ୫୨ କୋଟି ଛୁଉଁଥିବା ତଥା ହାରାହାରି ସ୍ମାର୍ଟଫୋନ ଉପଭୋକ୍ତା ଦେଢ଼ ଘଣ୍ଟାରୁ ଚ଼ାରିଘଣ୍ଟା ଯାଏଁ ଇଣ୍ଟରନେଟ ମଞ୍ଚରେ ଉପସ୍ଥିତି ଅବସରରେ କ୍ରମଶଃ ମୁଦ୍ରିତ ସମ୍ୱାଦପତ୍ରର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ଭାରତରେ ମୁଦ୍ରିତ ସମ୍ୱାଦପତ୍ର ପାଠକ ସଂଖ୍ୟା ଓ ବିଜ୍ଞାପନ ରାଜସ୍ୱ ବାର୍ଷିକଭିତ୍ତିରେ ବଢୁଥିଲେ ହେଁ ସମ୍ୱାଦ ଓ ଅଭିମତ ପରିବେଷଣ କ୍ଷେତ୍ରରେ ଏହାର ଏକଚ଼ାଟିଆ ଆଧିପତ୍ୟ ପରାହତ ହୋଇଥିବା ଅନେକ କ୍ଷେତ୍ରରେ ପ୍ରମାଣିତ ।


 

ଏକ ପ୍ରତିଯୋଗିତାପୂର୍ଣ୍ଣ ପରିବେଶରେ ନିଜ ସ୍ୱାତନ୍ତ୍ର୍ୟ ପ୍ରତିପାଦିତ କରିବା ନିମନ୍ତେ ସମ୍ୱାଦପତ୍ରରେ ସମ୍ୱାଦ ପରିବେଷଣରେ ଉତ୍କର୍ଷତା ହିଁ ଏକମାତ୍ର ବିକଳ୍ପ । ମୁଦ୍ରିତ ସାମ୍ୱାଦିକତାରେ ସତ୍ୟାସତ୍ୟ ଅନୁସନ୍ଧାନ, ତଥ୍ୟାଶ୍ରିତ ପ୍ରମାଣ ଉପସ୍ଥାପନ ଓ ସର୍ଜନଶୀଳତା ପରିପ୍ରକାଶ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ରହୁଥିବା ସ୍ଥଳେ ଉଭୟ ଟେଲିଭିଜନ ଓ ଅନ-ଲାଇନ ସମ୍ୱାଦ ପୋର୍ଟାଲଗୁଡ଼ିକରେ ଅନେକ କ୍ଷେତ୍ରରେ ଅନେକ କାରଣରୁ ସମ୍ଭବପର ହୋଇପାରେ ନାହିଁ । ଅପରପକ୍ଷେ ମୁଦ୍ରିତ ସମ୍ୱାଦର ସ୍ଥାୟିତ୍ୱ ଓ ପ୍ରଶାସନିକ ଦସ୍ତାବିଜଭାବେ ବ୍ୟବହାରର ସୁଯୋଗ ଭବିଷ୍ୟତରେ କିଛି କାଳଲାଗିବଳବତ୍ତର ରହିବା ଆଶା କରାଯାଇପାରେ । ବିଶେଷକରି ଭାରତଭଳି ରାଷ୍ଟ୍ରରେ ନବସାକ୍ଷରଙ୍କ ସଂଖ୍ୟା ବଢ଼ିଚାଲିଥିବା ଅବସରରେ ମୁଦ୍ରିତ ସମ୍ୱାଦପତ୍ରର ପାଠକ ସଂଖ୍ୟା କ୍ରମାଗତ ବୃଦ୍ଧିରେ ସହାୟକ ହେଉଛି । ଯେଉଁ ସମ୍ୱାଦପତ୍ରଗୁଡ଼ିକ ନିଜକୁ ପରିବର୍ତ୍ତିତ ପରିବେଶ ସହ ଖାପ ଖୁଆଇ ପାରିବେ ସେମାନଙ୍କ ଅସ୍ଥିତ୍ୱବଜାୟ ରହିବ, କିନ୍ତୁ ଯେଉଁ ସମ୍ୱାଦପତ୍ରଗୁଡ଼ିକ ସମୟ ସହ ତାଳ ଦେଇପାରିବେ ନାହିଁ ସେମାନଙ୍କର ବିଲୟ ସୁନିଶ୍ଚିତ ।


 

ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ଗୁଣାତ୍ମକ ବିକାଶରେ ସ୍ଥାନୀୟ ସମ୍ୱାଦ ପରିବେଷଣ, ତଥ୍ୟାଶ୍ରିତସମ୍ୱାଦ ରଚନା, ସୋସିଆଲ ମିଡ଼ିଆ ସଙ୍ଗେ ସହାବସ୍ଥାନ  ଓ ନୂତନ ବ୍ୟାବସାୟିକ ଧାରା ପ୍ରବର୍ତ୍ତନ ଗୁରୁତ୍ୱ ବହନ କରିଥାଏ । ସମ୍ୱାଦ ପାଠକଙ୍କ ବ୍ୟବହାରଯୋଗ୍ୟ ହେବା ଆବଶ୍ୟକ । ବିଶେଷକରି ପ୍ରତିଯୋଗିତାପୂର୍ଣ୍ଣ ପରିବେଶରେ ପାଠକମାନେ ନିଜର ରୁଚି ଓ ଆବଶ୍ୟକତା ଅନୁଯାୟୀ ସମ୍ୱାଦ ଖୋଜିଥାନ୍ତି । ସୋସିଆଲ ମିଡ଼ିଆ ଓ ଟେଲିଭିଜନ ତୁଳନାରେ ସମ୍ୱାଦପତ୍ରର ବିବରଣୀ ନିର୍ଭୁଲ ଓ ନିର୍ଭରଯୋଗ୍ୟ ହେବା ସୁଯୋଗ ରହିଛି । ସୋସିଆଲ ମିଡ଼ିଆରେ ଯେକୌଣସି ବ୍ୟକ୍ତି ଯେ କୌଣସି ସମ୍ୱାଦ ପ୍ରସାରିତ କରୁଥିବା ସ୍ଥଳେ ତାହାର ସତ୍ୟାସତ୍ୟ ପରଖିବା କିମ୍ୱା ଭାଷା ଓ ଶୈଳୀଗତ ଉନ୍ନତିରେ ସହାୟତା ପ୍ରଦାନ ନିମନ୍ତେ ସୁବିଧାସୁଯୋଗ ନଥାଏ । ଅପରପକ୍ଷେ ସମ୍ୱାଦପତ୍ରକ୍ଷେତ୍ରରେ ସାମ୍ୱାଦିକଙ୍କ ରଚନା ସମ୍ପାଦକମାନେବିଭିନ୍ନସ୍ତରରେତନ୍ନତନ୍ନ ଯାଞ୍ଚ କରିଥାନ୍ତି ଏବଂ ସ୍ଥଳବିଶେଷରେ ପଠନଯୋଗ୍ୟ କରିବା ନିମନ୍ତେ ପୁନଃଲିଖନସେବା ଯୋଗାଇଥାନ୍ତି ।


 

ସମ୍ୱାଦପତ୍ରର କଳେବର ଅଧିକ ସଂଖ୍ୟକ ସମ୍ୱାଦ ପ୍ରକାଶନ ନିମନ୍ତେ ସ୍ଥାନ ସୃଷ୍ଟି କରିଥାଏ । ସମ୍ୱାଦପତ୍ର ପୃଷ୍ଠାରୁ ନିଜ ମନମୁତାବକସମ୍ୱାଦ ଖୋଜି ବାହାର କରି ପାଠକ ପଢ଼ିଥାଏ । ବହୁବିଧ ସ୍ଥାନୀୟ ସମ୍ୱାଦ ପ୍ରକାଶନ ଏବଂ ସେଥି ମଧ୍ୟରୁ ନିଜ ନିଜ ରୁଚି ଓ ଆବଶ୍ୟକତା ଅନୁଯାୟୀ ସମ୍ୱାଦ ଚୟନର ସୁଯୋଗ ସୃଷ୍ଟି କ୍ଷେତ୍ରରେ ସମ୍ୱାଦପତ୍ରର ପ୍ରାଧାନ୍ୟ ଅନ୍ୟାନ୍ୟ ଗଣମାଧ୍ୟମ ମଞ୍ଚ ସହ ମୁକାବିଲା କରିବା ନିମନ୍ତେ ଏକ ବିଶିଷ୍ଟ ଉପାଦାନ । ତେବେ ସମ୍ୱାଦପତ୍ରଗୁଡ଼ିକ ଏଥିପ୍ରତି ସଚ଼େତନ ହୋଇ ସଂପାଦକୀୟନୀତି ନିର୍ଦ୍ଧାରଣ ଆବଶ୍ୟକ ପଡିଥାଏ ।


 

ମୁଦ୍ରିତ ସମ୍ୱାଦପତ୍ର ବ୍ୟବସାୟ ସର୍ବଭାରତୀୟସ୍ତରରେଲାଭଜନକ ଥିବା, ବିଶେଷକରି ଭାରତୀୟ ଭାଷାଗୁଡ଼ିକରସମ୍ୱାଦପତ୍ରଗୁଡ଼ିକର ପାଠକ ସଂଖ୍ୟା ବୃଦ୍ଧି ପାଉଥିବା ଭାରତୀୟ ସମ୍ୱାଦପତ୍ର ପାଠକ ଗଣନା ୨୦୧୯ ‘ଇଣ୍ଡିଆନ ରିଡ଼ରସିପଷ୍ଟଡ଼ି’ରେ ଉଲ୍ଲେଖଥିବା ସ୍ଥଳେ ଓଡ଼ିଆ ଭାଷାର ତିନିଗୋଟି ପ୍ରମୁଖ ସମ୍ୱାଦପତ୍ରର ପାଠକ ସଂଖ୍ୟା ୨୦୧୭ ରୁ ୨୦୧୯ ଦୁଇବର୍ଷ ମଧ୍ୟରେ ହାରାହାରି ଦଶ ପ୍ରତିଶତ କମିଯାଇଥିବା ମଧ୍ୟ ସୂଚ଼ିତ ହୋଇଛି । ଅବଶ୍ୟ ଏହି ପରିସଂଖ୍ୟାନ ନିରୀକ୍ଷଣ ଆୟୋଜନର ପୂର୍ବଦିନ ନମୂନା ପରିବାରମୁଖ୍ୟ ଓ ଅନ୍ୟଜଣେସଦସ୍ୟଙ୍କ ସ୍ୱୀକାରୋକ୍ତିକୁ ନେଇ ହିସାବ କରାଯାଇଥିଲା । ଗଣମାଧ୍ୟମ ସମୀକ୍ଷକମାନଙ୍କ ମତରେ ସଂପୃକ୍ତ ସମ୍ୱାଦପତ୍ରଗୁଡ଼ିକର ତୃଟିପୂର୍ଣ୍ଣ ସଂପାଦକୀୟନୀତିଓ ପାରମ୍ପରିକ ଶୈଳୀରେ ଆତ୍ମଗୋପନ ଏହି ବିପର୍ଯ୍ୟୟରମୂଳ କାରଣ । ଓଡ଼ିଆ ସମ୍ୱାଦିକତା କ୍ଷେତ୍ରରେ ସର୍ବାଧିକ ପ୍ରସାରିତ ତିନିଗୋଟି ସମ୍ୱାଦପତ୍ରର ପାଠକ ସଂଖ୍ୟା ହ୍ରାସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆମ ରାଜ୍ୟରେ ପ୍ରସାରରେ ଅଗ୍ରଣୀ ପ୍ରଥମ ପାଞ୍ଚ-ସାତ ଗୋଟି ସମ୍ୱାଦପତ୍ରକୁବାଦଦେଲେ ପ୍ରାୟତଃ ଅନ୍ୟ ଦୈନିକ ସମ୍ୱାଦପତ୍ରଗୁଡ଼ିକ ନିଜ ନିଜର ପ୍ରସାର ସଂଖ୍ୟା ବୃଦ୍ଧିଦିଗରେଉଦାସୀନ । ଏହି ବିପଦପୂର୍ଣ୍ଣ ପରିବେଶର ବିଭିନ୍ନ କାରଣ ରହିଛି । ତେବେ ସମ୍ୱାଦପତ୍ର ପାଠକ ସଂଖ୍ୟା ସଂକୋଚନ ଯେ ମୁଦ୍ରିତ ଗଣମାଧ୍ୟମ ଲାଗି ମଙ୍ଗଳଦାୟକ ନୁହେଁ ଏଥିରେ ଦ୍ୱିମତ ନାହିଁ ।


 

ମୁଦ୍ରିତ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକର ପାଠକ ସଂଖ୍ୟା ବୃଦ୍ଧିଦିଗରେସ୍ଥାନୀୟ ସାମ୍ୱାଦିକତା ଅର୍ଥାତ ଗଭୀର ଆଞ୍ଚଳିକଭିତ୍ତିରେ ସମ୍ୱାଦ ପ୍ରସାରଣକୁ ଅଗ୍ରାଧିକାରଦେବା ସମୟ ଆସି ପହଞ୍ଚିଛି । ଏହି ଉଦ୍ୟମ ପାଠକମାନଙ୍କୁ ନିଜ ପରିବେଶର ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସଂପର୍କରେ ଅବଗତ କରାଇବା ସାଙ୍ଗକୁ ସୁବିଧା ଅସୁବିଧା ସଂପର୍କରେ ସମ୍ୱାଦ ପ୍ରକାଶନ ପ୍ରଶାସନିକସ୍ତରରେ ସମାଧାନ ନିମନ୍ତେ ପଥ ଉନ୍ମୁକ୍ତ କରିବା ଆଶା କରାଯାଇପାରେ । ସ୍ଥାନୀୟ ସମ୍ୱାଦ ପରିବେଷଣ ଲାଗି ଅଧିକ ସାମ୍ୱାଦିକ ଆବଶ୍ୟକ ପଡ଼ିବେ । କୌଣସି ଘଟଣାକୁ ଖାମଖିଆଲି ଭାବେ ଉଲ୍ଲେଖରେ ସୀମିତ ନରଖି ବିଭିନ୍ନ ସୂତ୍ରରୁ ତଥ୍ୟାବଳୀ ସଂଗ୍ରହ କରି ଅନୁସନ୍ଧନ, ବର୍ଣ୍ଣନା ଓ ନିର୍ଣ୍ଣାୟକ ଦିଗପ୍ରତି ଦୃଷ୍ଟି ଦେଲେ ସ୍ଥାନୀୟ ସାମ୍ୱାଦିକତାର ପୁନଃବିନ୍ୟାସ ସଂଭବପର ।            


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୧ ମେ ୨୦୧୯

ସ୍ଥାନୀୟ ସମ୍ୱାଦ ବିଷୟବିନ୍ୟାସ

ମୁଦ୍ରିତ ସମ୍ୱାଦପତ୍ରରେ ସ୍ଥାନୀୟ ସମ୍ୱାଦ ପ୍ରକାଶନକୁ ପ୍ରାଧାନ୍ୟ ଦିଆଯିବା ନିକଟ ଅତୀତର ପରମ୍ପରା । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ସ୍ଥାନୀୟ ବ୍ୟବସାୟ ଉପଯୋଗୀ ବିଜ୍ଞାପନ ପ୍ରକାଶନଜନିତ ରାଜସ୍ୱ ଆୟରେ ଆକର୍ଷିତ ହୋଇ ବୃହତ୍ତ ପ୍ରକାଶନ ସଂସ୍ଥାମାନ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନରେ ମନୋନିବେଶ କରିଥିଲେ । ଇଣ୍ଟରନେଟ ବ୍ୟାପ୍ତିର ପୂର୍ବ ଅବସ୍ଥାରେ ବିଂଶ ଶତାଦ୍ଦୀର ସପ୍ତମ ଓ ଅଷ୍ଟମ ଦଶକରେ ତିନି ରୁ ପାଞ୍ଚ ହଜାର ନାଗରିକ ବସବାସ କରୁଥିବା ବସତିଗୁଡ଼ିକ ନିମନ୍ତେ ଅନ୍ତତଃପକ୍ଷେ ଗୋଟିଏ ପାକ୍ଷିକ ମୁଦ୍ରିତ ସ୍ଥାନୀୟ ସମ୍ୱାଦପତ୍ର ପ୍ରକାଶିତ ହେଉଥିବା ଦେଖିବାକୁ ମିଳୁଥିଲା ।


 

ମୁଦ୍ରଣ କାରିଗରୀ କୌଶଳରେ ଉନ୍ନତି ଫଳରେ ଖୁବ କମ ଶ୍ରମଶକ୍ତି ବିନିଯୋଗରେ ଖୁବ କମ ସମୟରେ ପ୍ରକାଶନ ସଂଭବପର ହୋଇପାରିବା ହେତୁ ଛୋଟକାଟର ବ୍ୟାବସାୟିକ ଭିତ୍ତିଭୂମିରେ ମଧ୍ୟ ସମ୍ୱାଦପତ୍ର ପ୍ରକାଶନ ବିକଶିତ ହୋଇପାରିଥିଲା । ଅନେକ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ର ପାଠକମାନଙ୍କୁ ମାଗଣାରେ ବିତରଣର ବ୍ୟବସ୍ଥା କରାଯାଉଥିବା ସ୍ଥଳେ ସ୍ଥାନୀୟ ବିଜ୍ଞାପନ ପ୍ରକାଶନଜନିତ ବ୍ୟୟ ଭରଣ କରୁଥିଲା । ବିକଶିତ ରାଷ୍ଟ୍ରଗୁଡ଼ିକର ପୁରପଲ୍ଲୀରେ ଆଧୁନିକ ବଜାର‘ମଲ’ ପ୍ରତିଷ୍ଠା ଫଳରେ ସ୍ଥାନୀୟ କିଣାବିକା, ସୁବିଧାସୁଯୋଗ ବିଜ୍ଞାପିତ କରିବା ନିମନ୍ତେ ଏଭଳି ସମ୍ୱାଦପତ୍ରଗୁଡ଼ିକ ଗୁରୁତ୍ୱଲାଭ କରିଥିବା ସ୍ଥଳେ କେତେକ ଏଗୁଡିକୁ ମଲ ସମ୍ୱାଦପତ୍ର ‘ମଲ ନିଉଜପେପର’ ନାମିତ କରୁଥିଲେ । ତେବେ ଇଣ୍ଟରନେଟର ବ୍ୟାପ୍ତି ଫଳରେ ସ୍ଥାନୀୟ ବିଜ୍ଞାପନର ଅନୁସରଣରେ ସ୍ଥାନୀୟ ସମ୍ୱାଦ ପରିବେଷଣ ଅନଲାଇନମୁଖୀ ହୋଇପଡ଼ିଛି ।


 

ଭାରତୀୟ ଆଞ୍ଚଳିକ ସମ୍ୱାଦପତ୍ର କ୍ଷେତ୍ରରେ ୧୯୭୫-୭୭ ଆଭ୍ୟନ୍ତରୀଣ ଜରୁରି-ପରିସ୍ଥିତି-ଜାରୀ ପରବର୍ତ୍ତୀ ଅବସ୍ଥାରେ ସାଧାରଣ ନାଗରିକଙ୍କ ମଧ୍ୟରେ ସମ୍ୱାଦପତ୍ର ପଠନ ଆଗ୍ରହ ବୃଦ୍ଧିକୁ ଭିତ୍ତିକରି ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଥିଲା । ଏକ ପକ୍ଷରେ ଆଧୁନିକ ମୁଦ୍ରଣ କାରିଗରୀ କୌଶଳ ବିକାଶ ଓ ଅପରପକ୍ଷରେ ରାଷ୍ଟ୍ରୀୟ ବ୍ୟାବସାୟିକ ଅଭିବୃଦ୍ଧି ସହ ତାଳ ଦେଇ ବିଜ୍ଞାପନ ରାଜସ୍ୱ ଆୟ ଆକର୍ଷଣରେ ରାଜ୍ୟସ୍ତରୀୟ ସମ୍ୱାଦପତ୍ରଗୁଡ଼ିକ ପ୍ରସାର ସଂଖ୍ୟା ବୃଦ୍ଧି ଲକ୍ଷ୍ୟରଖି ଆଞ୍ଚଳିକ ସଂସ୍କରଣମାନ ପ୍ରକାଶନରେ ସଂପୃକ୍ତ ହୋଇପଡିଥିଲେ । ଆମ ଓଡ଼ିଆ ସମ୍ୱାଦପତ୍ର କ୍ଷେତ୍ରରେ ଏହି ବ୍ୟାବସାୟିକ ଧାରା ‘ମଡ଼େଲ’ ପ୍ରତିବିମ୍ୱିତ ।


 

ବିକଶିତ ରାଷ୍ଟ୍ର ଓ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନରେ ବିକଶିତ ରାଷ୍ଟ୍ର ଅନୁରୂପ ଓଡ଼ିଆ ସମ୍ୱାଦପତ୍ରରେ ସ୍ଥାନୀୟ ସାମ୍ୱାଦିକତାରେ ମୌଳିକତା ବାରିହୁଏ ନାହିଁ । ବିକଶିତ ରାଷ୍ଟ୍ରଗୁଡ଼ିକରେ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଏକକ ପ୍ରତିଷ୍ଠାନ ରୂପେ ଗଢ଼ି ଉଠିଥିବା ଅବସରରେ ଓଡ଼ିଆରେ ରାଜ୍ୟସ୍ତରୀୟ ସମ୍ୱାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣ ରୂପେ ବିକଶିତ ହୋଇଛି । ଫଳରେ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକରେ ସମ୍ୱାଦ ପରିବେଷଣ ଶୈଳୀରେ ରାଜ୍ୟସ୍ତରୀୟ ଦୃଷ୍ଟିଭଙ୍ଗୀ ପରିବର୍ତ୍ତିତ ହୋଇପାରୁ ନାହିଁ । ଉଦାହରଣ ସ୍ୱରୂପ ଏକା ଦିନରେ ବିଧାନସଭା ଓ ପୌରସଭା ବୈଠକ ଅନୁଷ୍ଠିତ ହୋଇଥିଲେ ଆଞ୍ଚଳିକ ସଂସ୍କରଣର ପ୍ରଥମ ପୃଷ୍ଠାର ପ୍ରଥମ ସମ୍ୱାଦ ହିସାବରେ ବିଧାନସଭା ବୈଠକର ବିବରଣୀ ସ୍ଥାନିତ ହେବ ସିନା ପୌରସଭା ବୈଠକର ବିବରଣୀ ସ୍ଥାନ ପାଇବ ନାହିଁ । ମୂଳ ସଂସ୍କରଣ ସମ୍ୱାଦପତ୍ରରେ ପ୍ରତ୍ୟେକ ଆଞ୍ଚଳିକ ସଂସ୍କରଣ ନିମନ୍ତେ ପୃଷ୍ଠାଏ ବା ଦୁଇ ପୃଷ୍ଠାର ସ୍ଥାନୀୟ ସମ୍ୱାଦ ସନ୍ନିବେଶିତ ହେଉଥିବା ହେତୁ ଆଞ୍ଚଳିକ ସମ୍ୱାଦ ପରିବେଷଣରେ ସାମଗ୍ରିକଭାବେ ସମ୍ପାଦକୀୟ ପରାକାଷ୍ଠା ଦେଖିବାକୁ ମିଳିନଥାଏ ।


 

ସ୍ଥାନୀୟ ସମ୍ୱାଦର ଗୁଣାତ୍ମକ ବିକାଶ ନିମନ୍ତେ ସ୍ୱତନ୍ତ୍ର ସମ୍ପାଦକୀୟନୀତି ପ୍ରଣୟନ ଆବଶ୍ୟକ । ରାଜ୍ୟ ତଥା ଜିଲ୍ଲାସ୍ତରୀୟ ସମ୍ୱାଦ ରଚନାରେ ମୁଖ୍ୟତଃ ଦଳଗତ ରାଜନୀତି କିମ୍ୱା ପ୍ରଶାସନିକ ସମ୍ୱାଦ ଦସ୍ତାବିଜ ‘ପ୍ରେସ-ରିଲିଜ’କୁ ପ୍ରାଧାନ୍ୟ ଦିଆଯାଇଥାଏ । ସ୍ଥାନୀୟ ସମ୍ୱାଦ ରଚନା ରାଜନୀତିକ ନେତୃବର୍ଗ ତଥା ପ୍ରଶାସନିକ ଅଧିକାରୀଙ୍କ ବକ୍ତବ୍ୟରେ ସୀମାବଦ୍ଧ ରଖିବା ତୃଟିପୂର୍ଣ୍ଣ । ଏହିଭଳି ସମ୍ୱାଦ ପାଠକୀୟ ଆଗ୍ରହ ସୃଷ୍ଟି କରିପାରେ ନାହିଁ । ରାଜନୀତି ଓ ପ୍ରଶାସନ ଭିନ୍ନ ଅନ୍ୟାନ୍ୟ ସାମାଜିକ ବିଭବ ସ୍ଥାନୀୟ ସମ୍ୱାଦ ରଚନାର ବିଷୟବସ୍ତୁରୂପେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ।


 

ସୋସିଆଲ ମିଡ଼ିଆରେ ପ୍ରକାଶନ ଧାରା ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରରେ ପ୍ରତିଫଳିତ ହେଲେ ପାଠକୀୟ ସ୍ୱୀକୃତି ଲାଭର ଆଶା କରାଯାଇପାରେ । ଜନ୍ମ, ବିବାହ ସହ ଜନ୍ମଦିନ ଓ ବିବାହ ବାର୍ଷିକୀ ପାଳନର ବିବରଣୀ ସୋସିଆଲ ମିଡ଼ିଆରେ ଅନ୍ତରଙ୍ଗ ବନ୍ଧୁଙ୍କ ମହଲରେ ଆଦୃତ ହେଉଥିବା ସ୍ଥଳେ ତାହା ମୁଦ୍ରିତ ସମ୍ୱାଦପତ୍ରର ସହରଭିତ୍ତିକ ସଂସ୍କରଣରେ ସ୍ଥାନ ପାଇପାରେ । ପରୀକ୍ଷା, ପ୍ରତିଯୋଗିତା ତଥା ବିଭିନ୍ନ କ୍ଷେତ୍ରରେ କୃତିତ୍ୱଲାଭ ସ୍ଥାନୀୟ ପାଠକ ମହଲରେ ଆଗ୍ରହ ସୃଷ୍ଟି କରିପାରେ । ନିତିଦିନିଆ ଜୀବନ ଓ ଜୀବିକା, ଲକ୍ଷ୍ୟସିଦ୍ଧି ପାଇଁ ଏକନିଷ୍ଟ ସାଧନା, ଅଘଟଣର ଅଭିଜ୍ଞତା ବର୍ଣ୍ଣନାଭଳି ଭାବାବେଗ ‘ହ୍ୟୁମାନ ଇଣ୍ଟରେଷ୍ଟ’ ସମ୍ପନ୍ନ ବିଷୟବସ୍ତୁ ସ୍ଥାନୀୟ ସାମ୍ୱାଦିକତାରେ ଅନ୍ତର୍ଭୁକ୍ତ କରାଯାଇପାରେ । ଆନ୍ତର୍ଜାତିକ, ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ଘଟଣାକ୍ରମ ସଂପର୍କରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଅଭିମତ ବେଶ ସୁଖପାଠ୍ୟ ବିବେଚ଼ିତ ହୋଇପାରେ ।


 

ସହରରେ ଉପଲବ୍ଧ ପୋଷାକ ପରିଚ୍ଛେଦ, ଗହଣା, ପ୍ରଦର୍ଶିତ ରଙ୍ଗମଞ୍ଚ ଓ ଚଳଚ଼ିତ୍ର ସମୀକ୍ଷା ସ୍ଥାନୀୟ ସାମ୍ୱାଦିକତାର ପରିସର ବୃଦ୍ଧିରେ ସହାୟକ ହେବା ସମ୍ଭବ । କ୍ରୀଡ଼ା ବିବରଣୀ ତଥା ଚର୍ଚ୍ଚିତ କ୍ରୀଡ଼ା ପ୍ରତିଯୋଗିତା ସଂପର୍କରେ ସ୍ଥାନୀୟ କ୍ରୀଡାବିତଙ୍କ ଅଭିମତ ପାଠକମାନଙ୍କ ମଧ୍ୟରୁ ଏକାଂଶକୁ ଆକର୍ଷିତ କରିପାରେ । ସେହିପରି କିଶୋର, ଯୁବବର୍ଗ ପାଠକଙ୍କୁ ସୁହାଇଲାଭଳି ବିଦ୍ୟାଳୟ, ମହାବିଦ୍ୟାଳୟସ୍ତରୀୟ ସମ୍ୱାଦ ପ୍ରକାଶନର ଗୁରୁତ୍ୱ ରହିଛି । ସ୍ଥାନୀୟ ଅଧିବାସୀଙ୍କ ଭ୍ରମଣ ଅଭିଜ୍ଞତା, ବର୍ହିଃଗତ ଅତିଥିଙ୍କ ସହ ସାକ୍ଷାତକାର ସ୍ଥାନୀୟ ସାମ୍ୱାଦିକତାରେ ଅନ୍ତର୍ଭୁକ୍ତ ହୋଇପାରେ । ସ୍ଥାନୀୟ ସମସ୍ୟାବଳୀର ବର୍ଣ୍ଣନାତ୍ମକ, ଅନୁଶୀଳନାତ୍ମକ ଓ ଅନୁସନ୍ଧାନାତ୍ମକ ରଚନା ପାଠକୀୟ ଆଗ୍ରହ ସୃଷ୍ଟିରେ ସହାୟକ ହେବା ବିଚାର କରାଯାଇପାରେ । ମୋଟ ଉପରେ ସାପ୍ତାହିକ, ପାକ୍ଷିକ, ମାସିକ ଓ ତ୍ରୟମାସିକଭିତ୍ତିରେ ବିଭିନ୍ନ କିସମର ସମ୍ୱାଦ ପ୍ରଯୋଜନା ସ୍ଥାନୀୟ ସଂବାଦିକତାକୁ ରୁଚ଼ିପୂର୍ଣ୍ଣ ଗଢ଼ି ତୋଳିବାରେ ସମର୍ଥ । ଏଥି ନିମନ୍ତେ ବିଧିବଦ୍ଧ ସମ୍ପାଦକୀୟ ନୀତି ପ୍ରଣୟନ ଅପରିହାର୍ଯ୍ୟ ।


 

ସମସାମୟିକ ଓଡ଼ିଆ ସାଂବାଦିକତା ସମୀକ୍ଷାରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ମୁଖ୍ୟତଃ ପ୍ରଶାସନିକ ଓ ରାଜନୀତିକ ସମ୍ୱାଦ ପରିବେଷଣରେ ଭରାକ୍ରାନ୍ତ ହୋଇପଡୁଥିବା ଲକ୍ଷ୍ୟ କରାଯାଏ । ବାସ୍ତବ କ୍ଷେତ୍ରରେ ଅନୁଧ୍ୟାନ କଲେ ଏଭଳି ସମ୍ୱାଦ ପ୍ରକାଶନ ନିମନ୍ତେ ଅଧିକାଂଶ କ୍ଷେତ୍ରରେ ବାଧ୍ୟବାଧକତା ନଥାଏ । ସମ୍ୱାଦିକ ଓ ସମ୍ପାଦକମାନେ କେବଳ ପାରମ୍ପରିକ ଧାରାପ୍ରତି ଆନୁଗତ୍ୟରେ ପ୍ରଶାସନ ଓ ରାଜନୀତିକୁ ପ୍ରାଧାନ୍ୟ ଦେଇଥାନ୍ତି । ଅପରପକ୍ଷେ ଏଭଳି ସମ୍ୱାଦ ରଚନା ନିମନ୍ତେ ‘ପ୍ରେସ ରିଲିଜ’ ଓ ମୁଖପାତ୍ରଙ୍କ ସାମ୍ୱାଦିକ ସମ୍ମିଳନୀ କିମ୍ୱା ଟେଲିଭିଜନରେ ସମ୍ୱୋଧନ ମାଧ୍ୟମରେ ସହଜରେ ତଥ୍ୟ ଉପଲବ୍ଧ ହେଉଥିବା ତଥା ମୌଳିକ ସମ୍ୱାଦ ପ୍ରଯୋଜନା ଲାଗି ଲୋକଶକ୍ତି, ସମୟ ତଥା ଅର୍ଥ ଅଭାବ କାରଣରୁ ସମ୍ୱାଦ ପରିବେଷଣରେ ପରୀକ୍ଷା ନିରୀକ୍ଷା ଲାଗି ମୂଳସ୍ରୋତର ମୁଦ୍ରିତ ସମ୍ୱାଦପତ୍ରଗୁଡିକ ପକ୍ଷରୁ ଧ୍ୟାନ ଦିଆଯାଇ ନଥାଏ । ଦୁଃର୍ଭାଗ୍ୟପୂର୍ଣ୍ଣ ବିଷୟ ଏହି ଯେ ଯାହା ଘଟିଲା ତାହା ମୌଳିକ ସମ୍ୱାଦ ପଦବାଚ୍ୟ ହୋଇଥିବା ସ୍ଥଳେ ସରକାରୀସ୍ତରୀୟ ଭବିଷ୍ୟତ ଯୋଜନା ଓ ପରିକଳ୍ପନା ଘୋଷଣାଗୁଡ଼ିକ ସମ୍ୱାଦପତ୍ରର ସିଂହଭାଗ ଦାବୀ କରୁଛି । ସ୍ଥାନୀୟ ସାମ୍ୱାଦିକତା ବିକାଶ ଏହି ଧାରାର ପ୍ରଭାବମୁକ୍ତ କରିବା ଆଶା କରାଯାଇପାରେ ।


 

ସ୍ଥାନୀୟ ସମ୍ୱାଦ ପ୍ରଯୋଜନାରେ ନାଗରିକ ସାମ୍ୱାଦିକମାନଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ । ସାଂବାଦିକତା ବୃତ୍ତିରେ ସଂପୃକ୍ତି ବ୍ୟତିରେକେ ସଂବାଦ ରଚନା ଓ ପ୍ରକାଶନରେ ଆଗ୍ରହୀ ସଚ଼େତନ ନାଗରିକଙ୍କ ରଚନା ମୁଦ୍ରିତ ସମ୍ୱାଦପତ୍ରର ସ୍ଥାନୀୟ ସମ୍ୱାଦ ପୃଷ୍ଠାରେ ପ୍ରକାଶିତ ହୋଇପାରିଲେ ସମାଜର ବହୁ ଅନାଲୋଚିତ ଦିଗପ୍ରତି ଦୃଷ୍ଟିପାତ ସମ୍ଭବପର । ସୋସିଆଲ ମିଡ଼ିଆରେ ଏଭଳି ସୁବିଧା ସୁଯୋଗ ଉପଲବ୍ଧ । ବିକଶିତ ରାଷ୍ଟ୍ରଗୁଡ଼ିକରେ ସ୍ଥାନୀୟ ସାମ୍ୱାଦିକତା ଅନଲାଇନ ପରିସରଭୁକ୍ତ ହୋଇସାରିଲାଣି । ତେବେ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଏହି ପରିବର୍ତ୍ତନମୁଖୀ ପରିବେଶର ଫାଇଦା ନେବା ଆବଶ୍ୟକ ।

 

ଓଡ଼ିଶାଭଳି ଅଳ୍ପଶିକ୍ଷିତ ଓ ପାରମ୍ପରିକ ସମାଜରେ ସମ୍ୱାଦପତ୍ର ନିଜ ଅସ୍ଥିତ୍ୱ ବଜାୟ ରଖିବା ନିମନ୍ତେ ସ୍ଥାନୀୟ ସମ୍ୱାଦ ପରିବେଷଣକୁ ଏକ ମୁଖ୍ୟ ଆୟୁଧରୂପେ ବ୍ୟବହାର କରିବା ସୁଯୋଗ ଉପଲବ୍ଧ । ସେହିପରି ନାଗରିକ ସାମ୍ୱାଦିକମାନେ ଅଭିଜ୍ଞତା, ଅଧ୍ୟୟନ ଓ ତାଲିମ ବଳରେ ନିଜ ନିଜ ପ୍ରତିଭା ବିକାଶଲାଗି ଉଦ୍ୟମ କରିପାରିବେ । ସର୍ବୋପରି ନାଗରିକ ସାମ୍ୱାଦିକତା ଓ ମୁଦ୍ରିତ ସମ୍ୱାଦପତ୍ରରେ ସ୍ଥାନୀୟ ସମ୍ୱାଦ ପ୍ରକାଶନକୁ ଅଗ୍ରାଧିକାର ସାମାଜିକ ଜୀବନକୁ ରୁଦ୍ଧିମନ୍ତ କରିବା ସହ ପ୍ରଶାସନିକ ତୃଟିବିଚ୍ୟୁତିକୁ ସଜାଡ଼ି ଉତ୍କୃଷ୍ଟ ପୌରସେବା ଉପଲବ୍ଧିରେ ସହାୟକ ହୋଇପାରିବା ଆଶା କରାଯାଇପାରେ ।             


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁନ ୨୦୧୯

ସ୍ଥାନୀୟ ସମ୍ୱାଦ ବିଷୟ ବିନ୍ୟାସ 

ଭାରତରେ ୨୦୨୩ ଆରମ୍ଭ ସୁଦ୍ଧା ପ୍ରାୟ ୩୮ କୋଟି ଇଣ୍ଟରନେଟ ଉପଭୋକ୍ତା ଆଞ୍ଚଳିକ ଭାଷା ବ୍ୟବହାର କରୁଥିବା ଏବଂ ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ୫୨ ପ୍ରତିଶତ ଅନଲାଇନ ମଞ୍ଚରୁ ସମ୍ୱାଦ ଆହରଣ କରୁଥିବା ହିସାବ ଗଣମାଧ୍ୟମ ପରିଧିରେ ଏକ ନୂତନ ଅଧ୍ୟାୟର ସୂଚ଼ନା ଦିଏ । କାନ୍ତାର-ଗୁଗୁଲ ପକ୍ଷରୁ ମେ ୨୦୨୩ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅନଲାଇନରେ ଆଞ୍ଚଳିକ ଭାଷାରେ ସମ୍ୱାଦ ଉପଭୋକ୍ତା ସଂଖ୍ୟା ଅଧିକ । ଗ୍ରାମାଞ୍ଚଳରେ ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରୁ ୬୩ ପ୍ରତିଶତ ଏବଂ ସହରାଞ୍ଚଳରେ ୩୭ ପ୍ରତିଶତ ଆଞ୍ଚଳିକ ଭାଷାରେ ସମ୍ୱାଦ ଖୋଜନ୍ତି ।

 

ଆଞ୍ଚଳିକ ଭାଷାରେ ସମ୍ୱାଦ ସରବରାହରେ ମହାମାରୀ-ପର ଅବସ୍ଥାରେ ଭିଡିଓର ପ୍ରାଧାନ୍ୟ ବୃଦ୍ଧି ପାଇଛି । କୁହାଯାଉଛି ଯେ ବଙ୍ଗଳା ଓ ତାମିଲରେ ସର୍ବାପେକ୍ଷା ୮୧ ପ୍ରତିଶତ ଉପଭୋକ୍ତା ସମ୍ୱାଦ ଭିଡ଼ିଓକୁ ଗୁରୁତ୍ୱ ଦେଉଥିବା ସ୍ଥଳେ ତେଲୁଗୁରେ ୭୯ ପ୍ରତିଶତ, ହିନ୍ଦିରେ ୭୫ ପ୍ରତିଶତ, ଗୁଜରାଟୀରେ ୭୨ ପ୍ରତିଶତ, ମଳାୟଳମରେ ୭୦ ପ୍ରତିଶତ, ମରାଠୀ ଓ କନ୍ନଡ଼ରେ ୬୬ ପ୍ରତିଶତ ଉପଭୋକ୍ତା ଆଗ୍ରହୀ । ପାଠ୍ୟ ମାଧ୍ୟମରେ ଅନଲାଇନ ସମ୍ୱାଦ ପଠନ କ୍ଷେତ୍ରରେ ଗୁଜରାଟୀ ଓ କନ୍ନଡ଼ରେ ସର୍ବାଧିକ ୨୦ ପ୍ରତିଶତ ତଥା ମରାଠୀରେ ୧୮ ପ୍ରତିଶତ ଉପଭୋକ୍ତା ଚ଼ିହ୍ନଟ ହୋଇଥାନ୍ତି ।

 

ଅନଲାଇନ ସମ୍ୱାଦ ଉପଭୋକ୍ତାଙ୍କ ମଧ୍ୟରୁ ୯୩ ପ୍ରତିଶତ ୟୁଟ୍ୟୁବ, ୮୮ ପ୍ରତିଶତ ସୋସିଆଲ ମିଡ଼ିଆ, ୮୨ ପ୍ରତିଶତ ଚାଟ ଆପ, ୬୧ ପ୍ରତିଶତ ସର୍ଚ୍ଚଇଞ୍ଜିନ ଏବଂ ୪୫ ପ୍ରତିଶତ ସମ୍ୱାଦ ପ୍ରକାଶକ ୱେବସାଇଟ ଓ ଆପ ଉପରେ ନିର୍ଭରଶୀଳ । ଅନ୍ୟ ପକ୍ଷରେ ୭୩ ପ୍ରତିଶତ ସ୍ଥାନୀୟ ସମ୍ୱାଦକୁ ଅଗ୍ରାଧିକାର ଦେଇଥାନ୍ତି । ଏହି ପରିବେଶରେ ଆଞ୍ଚଳିକ ଭାଷାରେ ସ୍ଥାନୀୟ ସମ୍ୱାଦ ପରିବେଷଣ ନିମନ୍ତେ ଆପଗୁଡ଼ିକର ପ୍ରକାଶନ ଓ ପ୍ରସାର କ୍ରମଶଃ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଏ । ମହାମାରୀ-ପୂର୍ବାବସ୍ଥାରେ ପ୍ରକାଶନ ଆରମ୍ଭ ହୋଇଥିବା କେତେକ ଆପ ସଫଳତା ଲାଭ କରିବାପରେ ଏହି କ୍ଷେତ୍ରରେ ଆର୍ଥିକ ନିବେଶ ଅଗ୍ରାଧିକାର ଲାଭ କରିଛି ।

 

‘ପବ୍ଳିକ’, ‘ୱେ-ଟୁ-ନିଉଜ’ ଭଳି ଅନ୍ତଃରାଜ୍ୟ ଆପ ସାଙ୍ଗକୁ ମୋରାଦାବାଦଭିତ୍ତିକ ‘ଲୋକାଲପ୍ଳେ’, ଆଗ୍ରା-ମଥୁରା-ବୃନ୍ଦାବନଭିତ୍ତିକ ‘ସର୍କଲ’, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ତିନିଗୋଟି ଜିଲ୍ଲା କେନ୍ଦ୍ରୀକ ‘ଲୋକାଲ’, ଉତ୍ତରପ୍ରଦେଶର ‘ଆୱାଜ’, କୋୟାମ୍ୱତୁରଭିତ୍ତିକ ‘ସିମ୍ପିଲସିଟି’ ଇତ୍ୟାଦି ଆଞ୍ଚଳିକଭାଷାରେ ସର୍ଟ ଭିଡ଼ିଓ ମାଧ୍ୟମରେ ସ୍ଥାନୀୟ ସମ୍ୱାଦ ପ୍ରସାରଣ ହୋଇଥାଏ । ଇଂଲିଶ ଭାଷାରେ ‘ଡ଼େଲିହଣ୍ଟ’, ‘ନିଉଜପଏଣ୍ଟ’, ‘ନିଉଜଡ଼ଗ’, ‘ପବ୍ଳିକଭାଇବ’ ଓ ‘ମୁମ୍ୱାଇଲାଇଭ’ ଭଳି ଆପ ଲୋକପ୍ରିୟତା ହାସଲ କରିପାରିଛି ।

 

ସଂକ୍ଷିପ୍ତ ଇଂଲିଶ ସମ୍ୱାଦ ପ୍ରସାରଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ‘ଇନସର୍ଟ’ ଆନୁକୂଲ୍ୟରେ ‘ପବ୍ଳିକ’ ଭିଡ଼ିଓ ଆପ ୨୦୧୯ରୁ ବିକଶିତ ହୋଇଛି । ହିନ୍ଦି, ବଙ୍ଗଳା, ଗୁଜରାଟୀ, ମରାଠୀ, ତାମିଲ, କନ୍ନଡ଼, ମାଳାୟଳମ, ତେଲୁଗୁ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ‘ପବ୍ଳିକ’ ଆପ ଉପଲବ୍ଧ । ମାଗଣାରେ ବ୍ୟବହୃତ ଏହି ଆପରେ ଦୁଇଗୋଟି ସୁବିଧା ମଧ୍ୟରେ ପ୍ରଥମତଃ, ଉପଭୋକ୍ତା ନିଜ ସହର ବା ଅଞ୍ଚଳର ସମ୍ୱାଦ ପାଇବା ସଙ୍ଗେ ଦ୍ୱିତୀୟତଃ, ଆପରେ ନାମ ପଞ୍ଜୀକରଣ କାଳରେ ନିଜ ‘ଫେସବୁକ’ ବା ‘ଗୁଗୁଲ’ ଏକାଉଣ୍ଟ ସହବନ୍ଧିତ କରିବା ଫଳରେ ଅନାୟସରେ ପ୍ରସାରଣ ଅକ୍ତିଆର କରିବା ସମ୍ଭବ । ପ୍ରତ୍ୟେକ ଉପଭୋକ୍ତାଙ୍କ ମୋବାଇଲ-ଫୋନର ଭୌଗଳିକ ଅବସ୍ଥିତି ଅନୁଯାୟୀ ନିର୍ବାଚିତ ସ୍ଥାନୀୟ ସଂବାଦ ପ୍ରସାରିତ ହୋଇଥାଏ ।

 

ମୁଖ୍ୟତଃ, ମୋବାଇଲ ଆପରେ ସ୍ଥାନୀୟ ଅର୍ଥାତ, ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକରେ ସ୍ଥାନ ପାଉନଥିବା ଘଟଣାବଳୀକୁ ବୁଝାଏ । ବିଭିନ୍ନ ଅଞ୍ଚଳରେ ସଂଘଠିତ ଛୋଟମୋଟ ଚୋରି, ଟ୍ରେନ ଓ ବସ ଭଳି ସାର୍ବଜନୀନ ଯାତାୟତ ମାଧ୍ୟମରେ ବିଳମ୍ୱ, ପାଣିପାଗ, ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଇତ୍ୟାଦି ମୋବାଇଲ ସମ୍ୱାଦ ଆପରେ ସ୍ଥାନ ପାଇଥାଏ । ଏଥି ସଙ୍ଗେ ବିଭିନ୍ନ କାରଣରୁ ରାସ୍ତା ଅବରୋଧ, କ୍ରୀଡ଼ା ଉତ୍ସବ, ପରିବେଶ ସମସ୍ୟା, ନିର୍ମାଣ ସୂଚ଼ନା ତଥା ବିଶିଷ୍ଟ ବ୍ୟକ୍ତିଙ୍କ ସଂପର୍କରେ ବିବରଣୀ ମଧ୍ୟ ସ୍ଥାନୀୟ ସମ୍ୱାଦ ପରିସରଭୁକ୍ତ । ବଜାରରେ ଜିନିଷପତ୍ର ବିକ୍ରୀ, ନିଯୁକ୍ତି ସୁଯୋଗ, ଘର ଭଡ଼ା ଓ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପୂର୍ବସୂଚ଼ନା ସ୍ଥାନୀୟ ସମ୍ୱାଦ ଆପରେ ପ୍ରସାରିତ ହୋଇଥାଏ । ଉପଭୋକ୍ତାଗଣ ନିଜ ବ୍ୟକ୍ତିଗତ ଅଭାବ ଅସୁବିଧା ସଂପର୍କରେ ସର୍ବସାଧାରଣରେ ପ୍ରକାଶନ କରିବା ସୁଯୋଗ ପାଇଥାନ୍ତି ।

 

ଜାତୀୟସ୍ତରରେ ହାଇଦରାବାଦକେନ୍ଦ୍ରୀକ ‘ୱେ-ଟୁ-ନିଉଜ’ ୨୦୧୫ରେ ଉନ୍ମୋଚ଼ିତ ହୋଇଥିଲା । ଏଥିରେ ଆଠଗୋଟି ଭାଷାରେ ଗ୍ରାମ, ଗ୍ରାମପଞ୍ଚାୟତ ଓ ଜିଲ୍ଲାସ୍ତରରେ ସମ୍ୱାଦ ଭିଡ଼ିଓ ଆଙ୍ଗିକରେ ପ୍ରସାରଣ ଲୋକପ୍ରିୟତା ହାସଲ କରିପାରିଛି । ମୂଳ ସମ୍ୱାଦ ମଞ୍ଚ ସହ ପ୍ରତ୍ୟହ ଏକ ସ୍ୱତନ୍ତ୍ର ଡ଼ିଜିଟାଲ ପତ୍ରିକା ପ୍ରକାଶିତ ହୋଇଥାଏ । ଏଥିରେ ସ୍ୱାସ୍ଥ୍ୟ, ବାଣିଜ୍ୟ ବ୍ୟବସାୟ, ମହିଳା, କୃଷି, ପର୍ଯ୍ୟଟନ, ଜମିବାଡ଼ି, ଖ୍ୟାଦ୍ୟଋଚି, ନିଯୁକ୍ତି ଓ ଶିଶୁଙ୍କ ପାଇଁ ଉପାଦାନ ସନ୍ନିବଶିତ ହୋଇଥାଏ । ଏତଦ୍ ବ୍ୟତୀତ ଦୈନିକ ରାଶିଫଳ, ଜ୍ୟୋତିଷ ଓ କ୍ରୀଡ଼ା ପ୍ରତିଯୋଗିତା ଧାରାବିବରଣୀ ଅନ୍ୟାନ୍ୟ ଆକର୍ଷଣ । ପ୍ରତି ସପ୍ତାହାନ୍ତ ରବିବାସରୀୟ ପତ୍ରିକାରେ ସ୍ୱତନ୍ତ୍ର ଉପସ୍ଥାପନ ଆୟୋଜନ କରାଯାଏ ।

 

ମୋବାଇଲ ଆପ ଯୋଗେ ସ୍ଥାନୀୟ ସମ୍ୱାଦ ପ୍ରସାରଣରେ ବିବିଧତା ଏବଂ ଏହି ଧାରାର ମୁକାବିଲା କରିବା ନିମନ୍ତେ ପାରମ୍ପରିକ ମୁଦ୍ରିତ ଓ ଟେଲିଭିଜନ ମଞ୍ଚ ସମର୍ଥ ନଥିବା ହେତୁ ଭାରତୀୟ ଗଣମାଧ୍ୟମ ଉପତ୍ୟକାରେ ଏକ ନୂତନ ପ୍ରବାହ ଲୋକପ୍ରିୟତା ହାସଲ କରିପାରିଛି । ଡ଼ିଜିଟାଲ ମଞ୍ଚରେ ଭିଡ଼ିଓ ଆକାରରେ ବିଭିନ୍ନ ବିଷୟବସ୍ତୁର ସଂକ୍ଷିପ୍ତ ବର୍ଣ୍ଣନା ସମକାଳୀନ ଉପଭୋକ୍ତାଙ୍କୁ ଆକୃଷ୍ଟ କରୁଥିବା ପ୍ରମାଣିତ । ମୁଖ୍ୟତଃ, ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ସର୍ବସାଧାରଣରେ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ତଥା ମଧ୍ୟଭାଗରୁ ଜିଓ ଭଳି ଟେଲି-ଉଦ୍ୟୋଗର ଆବିର୍ଭାବ ପରେ ଡ଼ାଟା ଦର ଏକ ଦଶମାଂଶକୁ ହ୍ରାସ ପରେ ସର୍ବସାଧାରଣରେ ଡ଼ାଟା ବ୍ୟବହାର ଦଶ ଗୁଣ ବଢ଼ି ଯାଇଥିଲା । ଏହି ସୁବିଧା ସୁଯୋଗ ମୋବାଇଲ ଆପ ଯୋଗେ ଭିଡ଼ିଓ ସମ୍ୱାଦ ପ୍ରସାରଣ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିଥିଲା ।

 

ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସମ୍ୱାଦପତ୍ର ଓ ଟେଲିଭିଜନ ଚ୍ୟାନେଲରେ ବହୁ ସଂଖ୍ୟକ ସ୍ୱୀକୃତ ସମ୍ୱାଦଦାତା ‘ଷ୍ଟ୍ରୀଞ୍ଜର୍ସ ବା ଫ୍ରିଲେନ୍ସରର୍ସ’ ଦେଶ ସାରା ବିଚ୍ଛୁରିତ । ଅଧିକାଂଶ କ୍ଷେତ୍ରରେ ଏମାନେ ଅର୍ଥ ଉପାର୍ଜନ ଲାଗି ଅନ୍ୟାନ୍ୟ ବୃତ୍ତିରେ ନିୟୋଜିତ ଏବଂ ଋଚ଼ି ଅନୁଯାୟୀ ସମ୍ୱାଦ ପରିବେଷଣ କରିଥାନ୍ତି । ସେମାନେ ବସବାସ କରୁଥିବା ଅଞ୍ଚଳରେ କୌଣସି ଉଲ୍ଲେଖନୀୟ ଘଟଣା ଘଟିଲେ ଖୋଜା ପଡ଼ନ୍ତି । ଏହି ବିପୁଳ ସଂଖ୍ୟକ ସ୍ଥାନୀୟ ସାମ୍ୱାଦିକଙ୍କୁ ପ୍ରବର୍ତ୍ତାଇ ନିଜ ଅଞ୍ଚଳର ଘଟଣାବଳୀ ସ୍ମାର୍ଟଫୋନ ମାଧ୍ୟମରେ ଭିଡ଼ିଓ ଉତ୍ତୋଳନ କରି ବିବରଣୀ ସହ ଅନଲାଇନରେ ପ୍ରେରଣ ନିମନ୍ତେ ଏକ ମଡ଼େଲ ପ୍ରସ୍ତୁତ ହୋଇଥିଲା ।

 

ଉଦାହରଣରେ ସ୍ଥାନୀୟ ସମ୍ୱାଦ ସମୃଦ୍ଧ ପ୍ରତିଷ୍ଠିତ ମୋବାଇଲ ଆପଗୁଡ଼ିକ ପ୍ରତି ଜିଲ୍ଲା ପାଇଁ ପ୍ରତିଦିନ ଅନ୍ତତଃପକ୍ଷେ ୨୦ ରୁ ୨୫ ଗୋଟି ଭିଡ଼ିଓ ସମ୍ୱାଦ ପ୍ରସ୍ତୁତ କରନ୍ତି । ଏହି ସମ୍ୱାଦ ସୃଜନ ଓ ସମ୍ପାଦନା ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଅଭିଜ୍ଞ ସମ୍ପାଦକମାନେ ସ୍ଥାନୀୟ ସମ୍ୱାଦଦାତାଙ୍କ ସହ ବରାବର ସଂପର୍କ ସ୍ଥାପନ କରିଥାନ୍ତି । ନିର୍ବାଚିତ ବିଷୟବସ୍ତୁ ଆଧାରିତ ସର୍ଟ ଭିଡ଼ିଓ ବିବରଣୀ ସଂଗ୍ରହ ନିମନ୍ତେ ସ୍ଥାନୀୟ ବିଷୟ ପିଛା ସାମ୍ୱାଦିକମାନଙ୍କୁ ୫୦ରୁ ୨୫୦ ଟଙ୍କା ପାରିଶ୍ରମିକ ଦିଆଯାଏ । ଫଳରେ ଗଭୀର ଆଞ୍ଚଳିକସ୍ତରରେ ଅବସ୍ଥାପିତ ସମ୍ୱାଦଦାତାମାନେ ଉତ୍ସାହିତ ହୋଇ ତତ୍ କ୍ଷଣାତ ସମ୍ୱାଦ ପରିବେଷଣର ବ୍ୟବସ୍ଥା କରିଥାନ୍ତି । ବହୁକ୍ଷେତ୍ରରେ ଏହି କାର୍ଯ୍ୟରେ ଟେଲିଭିଜନ ପଛରେ ପଡ଼ିଥାଏ । ଫଳରେ ସ୍ଥାନୀୟ ସମ୍ୱାଦ ଆପଗୁଡ଼ିକର ଚାହିଦା ବୃଦ୍ଧି ପାଏ ।

 

ବିଶେଷଜ୍ଞଙ୍କ ହିସାବରେ ଜିଲ୍ଲାଭିତ୍ତିରେ  ଏକ ପ୍ରତିଷ୍ଠିତ ମୋବାଇଲ ଆପ ପରିଚାଳନା ବାବଦରେ ବାର୍ଷିକ ୪୦ ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ ଆବଶ୍ୟକ । ସମ୍ୱାଦ ସୃଜନ ଓ ସମ୍ପାଦନା ନିମନ୍ତେ ଦକ୍ଷ ସମ୍ପାଦକଙ୍କ ଆବଶ୍ୟକତା ପଡ଼ିଥାଏ । ଉଭୟ ପାଠ୍ୟ ଓ ଦୃଶ୍ୟ ସମ୍ପାଦନା ନିମନ୍ତେ ଅଭିଜ୍ଞଙ୍କୁ ନିଯୁକ୍ତିରେ ଅର୍ଥ ନିବେଶ ଅପରିହାର୍ଯ୍ୟ । ‘ୱେ-ଟୁ-ନିଉଜ’ ଆରମ୍ଭ ବେଳେ ମାତ୍ର ୧୩ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ ଏବଂ ୨୦୨୩ ସୁଦ୍ଧା ତାହା ୩୦୦କୁ ବୃଦ୍ଧି ପାଇଥିଲା ।

 

ମୋବାଇଲ ସ୍ଥାନୀୟ ସମ୍ୱାଦ ଆପଗୁଡ଼ିକ ଗ୍ରାହକ ଚାନ୍ଦା ଆଦାୟ କରନ୍ତି ନାହିଁ । ସମ୍ୱାଦ ମଞ୍ଚ  ପରିଚାଳନା ଅର୍ଥନୀତି ବିଜ୍ଞାପନ ରାଜସ୍ୱ ଉପରେ ନିର୍ଭରଶୀଳ । କୁହାଯାଉଛି ଯେ ମହାମାରୀ-ପର ଅବସ୍ଥାରେ ମନୋହରୀ ସାମଗ୍ରୀ ସାଙ୍ଗକୁ ମଟର ସାଇକଲ, ମଟର ଗାଡ଼ି, ରେଫ୍ରିଜେରେଟର,  ଏୟାର କଣ୍ଡିସନର, ଲ୍ୟାପଟପ, ସ୍ମାର୍ଟଫୋନ ଭଳି ଉଚ୍ଚ ମୂଲ୍ୟଯୁକ୍ତ ସାମଗ୍ରୀର ବିଜ୍ଞାପନ ସ୍ଥାନୀୟ ସ୍ତରରେ ପହୁଞ୍ଚାଇବା ନିମନ୍ତେ ବିଜ୍ଞପକମାନେ ବ୍ୟଗ୍ର । ମୁଦ୍ରଣ ଓ ଟେଲିଭିଜନ ବିଜ୍ଞାପନ ପ୍ରସାରଣରେ ଖର୍ଚ୍ଚାନ୍ତ ହେବା ବଦଳରେ ଅଳ୍ପ ଖର୍ଚ୍ଚରେ ସମ୍ଭାବ୍ୟ ଗ୍ରାହକଙ୍କ ନିକଟରେ ବିଜ୍ଞାପନ ପହୁଞ୍ଚାଇବା ନିମନ୍ତେ ମୋବାଇଲ ସମ୍ୱାଦ ଆପଗୁଡ଼ିକୁ ଗୁରୁତ୍ୱ ଦିଆଯାଉଛି । ଡ଼ିଜିଟାଲ ମଞ୍ଚରେ ବିଜ୍ଞାପନ ଆୟ ବାର୍ଷିକ ଭିତ୍ତିରେ ୩୦ ପ୍ରତିଶତ ଯାଏଁ ବଢୁଥିବା ଅବସରରେ ପ୍ରାୟ ୮୦ ଭାଗ ଗୁଗୁଲ ଓ ଫେସବୁକ ଅକ୍ତିଆରକୁ ଚାଲିଯାଉଥିବା ପ୍ରବାହରେ ମୋବାଇଲ ସ୍ଥାନୀୟ ସମ୍ୱାଦ ଆପଗୁଡ଼ିକ କେତେଦୂର ବିଜ୍ଞାପନ ସଂଗ୍ରହରେ ପାରିଦର୍ଶିତା ପ୍ରଦର୍ଶନ କରିପାରିବେ ତାହା ଭବିଷ୍ୟତ କହିବ । ଭାରତରେ ୨୦୨୪ରେ ସାଧାରଣ ନିର୍ବାଚନ ଅବସରରେ ମୋବାଇଲ ସ୍ଥାନୀୟ ସମ୍ୱାଦ ମଞ୍ଚର ବିକାଶ ନିମନ୍ତେ ଅନ୍ୟ ଏକ ସୁଯୋଗ ବିଚାର କରାଯାଇପାରେ ।

 

‘ପବ୍ଳିକ’ଆପରେ ସମସ୍ତ ଉପଭୋକ୍ତାଙ୍କୁ ‘ୟୁଟ୍ୟୁବ’ଭଳି ସର୍ଟ ଭିଡ଼ିଓ ଆପଲୋଡ଼ କରିବା ସୁଯୋଗ ଥିବା ସ୍ଥଳେ ଦୈନିକ ୪୦ରୁ ୫୦ ହଜାର ଯାଏଁ ସର୍ଟ ଭିଡ଼ିଓ ଆପଲୋଡ଼ ହେଉଥିବା ଚକିତ କରିଥାଏ । ସେହିପରି ‘ୱେ-ଟୁ-ନିଉଜ’ରେ ଦୈନିକ ଆପଲୋଡ଼ ସର୍ଟ ଭିଡ଼ିଓ ସଂଖ୍ୟା ସାତରୁ ଆଠ ହଜାର । ‘ପବ୍ଳିକ’ର ଉପଭୋକ୍ତା ସଂଖ୍ୟା ୮୦ ଲକ୍ଷ ଏବଂ ‘ୱେ-ଟୁ-ନିଉଜ’ର ଉପଭୋକ୍ତା ସଂଖ୍ୟା ୭୦ ଲକ୍ଷ । ଅନ୍ତତଃପକ୍ଷେ ପରିସଂଖ୍ୟାନ ଦୃଷ୍ଟିରୁ ଏହି ଦୁଇ ଆପର ଉଦାହରଣ ସ୍ଥାନୀୟ ସମ୍ୱାଦ ପ୍ରଯୋଜନା ଲାଗି ବିଷୟ ବିନ୍ୟାସ ପାରମ୍ପରିକ ସାମ୍ୱାଦିକତା ଆଙ୍ଗିକରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାରେ ସମର୍ଥ ହୋଇଥିବା ସ୍ୱୀକାର୍ଯ୍ୟ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୯ ଜୁନ ୨୦୨୩


ତଥ୍ୟ:

 

Khandekar, Vanita Kohli. Investors have a punt as online news goes hyperlocal. Business Standard, Bhubaneswar Edition. February 23, 2023 


ସ୍ଥାନୀୟ ସମ୍ୱାଦ ବିକାଶ ଅଭିଯାନ 

ବିଶ୍ୱବ୍ୟାପୀ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ସମ୍ୱାଦ ଶିଳ୍ପ ସଂକଟାପନ୍ନ ଅବସ୍ଥାରେ ପହଞ୍ଚିଥିବା ଅବସରରେ ସ୍ଥାନୀୟ ସମ୍ୱାଦ ‘ଲୋକାଲ ନିଉଜ’ ବିକାଶକୁ ଗୁରୁତ୍ୱ ଦିଆଯାଉଛି । ମାର୍ଚ୍ଚ ୨୦୨୩ ପ୍ରଥମ ସପ୍ତାହରେ ବ୍ରିଟେନରୁ ପ୍ରକାଶିତ ଖ୍ୟାତନାମା ‘ଦି ଗାର୍ଡିଆନ’ ସମ୍ୱାଦପତ୍ରର ରବିବାସରୀୟ ସମ୍ପାଦକୀୟରେ ସମକାଳରେ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ପ୍ରକାଶନ ବନ୍ଦ ହୋଇଯାଉଥିବା ଘଟଣାବଳୀ ଗଣତନ୍ତ୍ର ନିମନ୍ତେ ବିପଦପୂର୍ଣ୍ଣ ଦର୍ଶାଯାଇଥିଲା । ଉଭୟ ମୁଦ୍ରିତ ଓ ଡିଜିଟାଲ ସମ୍ୱାଦ ମଞ୍ଚ ଜନସାଧାରଣଙ୍କୁ ସାମାଜିକ ସ୍ରୋତରେ ସାମିଲ ହେବା ନିମନ୍ତେ ପ୍ରୋତ୍ସାହିତ କରିଥାଏ । ଜନଜୀବନର ଗୁଣାତ୍ମକ ବିକାଶକଳ୍ପେ ନାଗରିକଗଣ ବ୍ୟକ୍ତିଗତ ଅଭିଜ୍ଞତା ସହ ସମ୍ୱାଦ ମଞ୍ଚରେ ଉପଲବ୍ଧ ସୂଚ଼ନା ଓ ବିଭିନ୍ନ କ୍ଷେତ୍ରରେ ବାସ୍ତବ ସ୍ଥିତିର ବିବରଣୀ ବିଚାର-ବିମର୍ଷ ଓ ବିତର୍କର ସୁବିଧା ସୁଯୋଗ ପାଇଥାନ୍ତି । ସ୍ଥାନୀୟ ସମ୍ୱାଦ ମଞ୍ଚର ବିଲୟ କିମ୍ୱା ସ୍ଥାନୀୟ ସମ୍ୱାଦ ପରିବେଷଣଜନିତ ଦାରିଦ୍ର୍ୟ ସେହିଭଳି ସୁବିଧାସୁଯୋଗର ପରିପନ୍ଥୀ ।

 

ସମ୍ପାଦକୀୟରେ ଉଲ୍ଲେଖ ଥିଲା ଯେ ବ୍ରିଟେନରେ ୨୦୦୯ରୁ ୨୦୧୯, ଦଶ ବର୍ଷ ମଧ୍ୟରେ ୩୨୦ ଗୋଟି ମୁଦ୍ରିତ ସ୍ଥାନୀୟ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହୋଇଯାଇଛି । ଏହି ସମୟ ସୀମାରେ ସମ୍ୱାଦପତ୍ରଗୁଡ଼ିକର ବିଜ୍ଞାପନରୁ ଆୟ ୭୦ ପ୍ରତିଶତ କମି ଯାଇଥିବା ଜଣାଯାଏ । ଅଷ୍ଟାଦଶ ଶତାଦ୍ଦୀରୁ ଆରମ୍ଭ ହୋଇଥିବା ମୁଦ୍ରିତ ସମ୍ୱାଦପତ୍ରର ପ୍ରସାର ଇତିହାସରେ ସ୍ଥାନୀୟ ସମ୍ୱାଦପତ୍ରର ସଂଖ୍ୟା ସମକାଳରେ ସର୍ବାପେକ୍ଷା କମ ଗଣିତ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ସପ୍ତାହରେ ଦୁଇଗୋଟି ସମ୍ୱାଦପତ୍ର ବନ୍ଦ ହୋଇଯାଉଛି । ଏହା ଫଳରେ ସାମ୍ୱାଦିକମାନେ ନିଯୁକ୍ତି ହରାଇ ସାମ୍ୱାଦିକତା ବୃତ୍ତି ଓ ପ୍ରବୃତ୍ତିରୁ ଦୂରେଇ ଯାଉଛନ୍ତି । ଏକପକ୍ଷରେ ସମାଜରେ ଗୁଣାତ୍ମକ ସମ୍ୱାଦ ପ୍ରବାହର ପରିମାଣ ହ୍ରାସ ପାଉଛି । ଅପରପକ୍ଷରେ ସୋସିଆଲ ମିଡ଼ିଆରେ ବିସଂବାଦ ଓ ଅସତ୍ୟ ପ୍ରସାର ଫଳରେ ସାଧାରଣ ନାଗରିକ ଭ୍ରାନ୍ତିର ଶିକାର ହେଉଛନ୍ତି । ଏହି ପରିବେଶ ସୁସ୍ଥ ଗଣତାନ୍ତ୍ରିକ ଧାରା ବିକାଶରେ ପ୍ରତିବନ୍ଧକ ସାଜୁଛି ।

 

ମୁଦ୍ରିତ ସ୍ଥାନୀୟ ସମ୍ୱାଦପତ୍ର ଓ ସୋସିଆଲ ମିଡ଼ିଆରେ ପ୍ରସାରିତ ଗଭୀର-ସ୍ଥାନୀୟ-ସମ୍ୱାଦ ପ୍ରସାର ଧାରାରେ କେତେକ ମୌଳିକ ପାର୍ଥକ୍ୟ ଆଲୋଚ଼ନା ପରିସରକୁ ଆସିଥାଏ । ପ୍ରଥମତଃ, ସମ୍ୱାଦପତ୍ରଗୁଡ଼ିକ ବୃତ୍ତିଧାରୀ ସାମ୍ୱାଦିକ ଓ ସମ୍ପାଦକଙ୍କ ଦ୍ୱାରା ପ୍ରଯୋଜିତ ହେଉଥିବା ହେତୁ ପରିବେଷିତ ସମ୍ୱାଦ ସତ୍ୟାସତ୍ୟ ପରଖିବା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଥାଏ । ସାମ୍ୱାଦିକମାନେ ଉଭୟ ସରକାରୀ ଓ ବେସରକାରୀ ଆନୁଷ୍ଠାନିକ ସୂତ୍ରଗୁଡ଼ିକ ସହ ଯୋଗାଯୋଗ ସ୍ଥାପନ କରି ତଥ୍ୟ ସଂଗ୍ରହ କରିଥାନ୍ତି । କିନ୍ତୁ ସୋସିଆଲ ମିଡ଼ିଆର ପୋଷ୍ଟଗୁଡ଼ିକ ସାଧାରଣ ନାଗରିକଙ୍କ ଦ୍ୱାରା ପ୍ରସାର ହେଉଥିବା ହେତୁ ଏହି ସୁବିଧା ସୁଯୋଗ ମିଳେ ନାହିଁ ।

 

ଦ୍ୱିତୀୟତଃ, ମୁଦ୍ରିତ ସମ୍ୱାଦପତ୍ରରେ କୌଣସି ବିବାଦୀୟ ଘଟଣାରେ ବିଭିନ୍ନ ପକ୍ଷର ଅଭିମତ ସ୍ଥାନ ପାଇଥାଏ । ଫଳରେ ପାଠକ ସବୁ ସୂତ୍ରକୁ ତର୍ଜମା କରି ନିଜସ୍ୱ ଦୃଷ୍ଟିକୋଣ ଶାଣିତ କରେ । କିନ୍ତୁ ସୋସିଆଲ ମିଡ଼ିଆରେ ବୈଷୟିକ କୌଶଳ ଉପଯୋଗ ଉପଭୋକ୍ତାଙ୍କ ରୁଚ଼ି ଓ ନିର୍ବାଚିତ ବନ୍ଧୁବର୍ଗଙ୍କ ପୋଷ୍ଟ ହିଁ ସଂପୃକ୍ତ ମଞ୍ଚରେ ପ୍ରଦର୍ଶିତ କରିଥାଏ । ଏହି କାରଣରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ସୋସିଆଲ ମିଡ଼ିଆ ପୃଷ୍ଠା ଭିନ୍ନ ! ସ୍ଥଳବିଶେଷରେ ବିଜ୍ଞାପନ ଦେୟ ମାଧ୍ୟମରେ କେଉଁ ପୋଷ୍ଟ କେତେ ସଂଖ୍ୟାରେ ପ୍ରଦର୍ଶିତ ହେବ ନିର୍ଦ୍ଧାରିତ ହୋଇଥାଏ । ଫଳରେ ବାରମ୍ୱାର ବିଜ୍ଞପିତ ପୋଷ୍ଟ ସଂସ୍ପର୍ଶରେ ଆସି ଉପଭୋକ୍ତା ପ୍ରଭାବିତ ହୋଇଥାନ୍ତି । ଆନ୍ତର୍ଜାତିକସ୍ତରରେ ନିକଟ ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ବ୍ରାଜିଲ ଭଳି ରାଷ୍ଟ୍ରଗୁଡ଼ିକରେ ନିର୍ବାଚନରେ ଧୃବୀକରଣ ‘ପୋଲରାଇଜେସନ’ ଏହି ଧାରାର ଜ୍ୱଳନ୍ତ ଉଦାହରଣ ।

 

ତୃତୀୟତଃ, ଗବେଷଣାରୁ ଜଣାଯାଇଛି ଯେ ମୁଦ୍ରିତ ସ୍ଥାନୀୟ ସମ୍ୱାଦପତ୍ର ଅଭାବ ପ୍ରଶାସନିକ କଳକୁ ଶୀଥିଳ କରିପକାଏ । ମୁଦ୍ରିତ ସମ୍ୱାଦପତ୍ରର ପ୍ରଭାବ ଡ଼ିଜିଟାଲ ମଞ୍ଚ କ୍ଷେତ୍ରରେ ସଂଭବ ହୋଇପାରୁନାହିଁ । ଜନଜୀବନ ସ୍ଥାନୀୟ ପରିବେଶ ଉପରେ ନିର୍ଭରଶୀଳ । ଜଳଯୋଗାଣ, ବିଦ୍ୟୁତ ବିତରଣ, ପରିମଳ, ରାସ୍ତାଘାଟ ଓ ସୁରକ୍ଷା ଭଳି ମୌଳିକ ସୁବିଧାସୁଯୋଗ ସ୍ଥାନୀୟ ପ୍ରଶାସନ ନିୟନ୍ତ୍ରଣ କରିଥାନ୍ତି । ଏହି କ୍ଷେତ୍ରରେ ତୃଟିବିଚ୍ୟୁତି ତୁରନ୍ତ ନସଂଭାଳି ପାରିଲେ ନାଗରିକଙ୍କ ଦୈନନ୍ଦିନ ଜୀବନରେ ବିଘ୍ନ ପହଞ୍ଚିଥାଏ । ମୁଦ୍ରିତ ସ୍ଥାନୀୟ ସମ୍ୱାଦପତ୍ର ଏହି ଭଳି ସୁବିଧାଅସୁବିଧା ବର୍ଣ୍ଣନାରେ ସ୍ଥାୟିତ୍ୱ କାରଣରୁ ପ୍ରଶାସନିକ ସୁଧାର ଦିଗରେ ଫଳପ୍ରଦ ହେଉଥିବା ସ୍ଥଳେ ସୋସିଆଲ ମିଡ଼ିଆରେ କ୍ଷଣିକ ପ୍ରଦର୍ଶନ ଉପାଦେୟ ହୋଇପାରିନଥାଏ ।

 

କିନ୍ତୁ ମୂଳସ୍ରୋତର ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକରେ ବୃତ୍ତିଧାରୀ ସାମ୍ୱାଦିକମାନେ ବିଭିନ୍ନ କାରଣରୁ ଅସତ୍ୟ ଓ ପ୍ରାୟୋଜିତ ସମ୍ୱାଦ ପ୍ରକାଶନ ସହ ସଂପୃକ୍ତ ରହିଲେ, ପକ୍ଷପାତିତାକୁ ସମର୍ଥନ କଲେ ଏବଂ ପ୍ରଶାସନର ଦୋଷଦୁର୍ବଳତାର ବିପରୀତ ଚ଼ିତ୍ର ଉପସ୍ଥାପନକୁ ଅଗ୍ରାଧୀକାର ଦେଲେ, ସମ୍ୱାଦ ପ୍ରସାରଣର ଗୁଣବତ୍ତା ସୋସିଆଲ ମିଡ଼ିଆର ପ୍ରାଦୁର୍ଭାବଠାରୁ ବଳିଯାଏ । ବିଡ଼ମ୍ୱନାର ବିଷୟ ମାନବ ସଭ୍ୟତା ଓ ବୈଷୟିକ ଦକ୍ଷତାର ପ୍ରଗତି ସତ୍ତ୍ୱେ ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆଦ୍ୟଭାଗରେ ଆନ୍ତର୍ଜାତିକସ୍ତରରେ ବହୁ ରାଷ୍ଟ୍ର ଏହିଭଳି ବିରୋଧାଭାସ ପରିବେଶର ସମ୍ମୁଖୀନ ହୋଇଛନ୍ତି ।

 

‘ଦି ଗାର୍ଡିଆନ’ ସମ୍ପାଦକୀୟରେ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ର ସଂଖ୍ୟା ହ୍ରାସ ନିମନ୍ତେ ସମ୍ୱାଦପତ୍ର ମାଲିକାନାକୁ ଦାୟୀ କରାଯାଇଛି । ବ୍ରିଟେନରେ ଦୁଇ-ତୃତୀୟାଂଶ ସମ୍ୱାଦପତ୍ର ତିନିଗୋଟି ବୃହତ ପ୍ରକାଶକଙ୍କ ଦ୍ୱାରା ପରିଚାଳିତ । ବିଭିନ୍ନ ଅଞ୍ଚଳରୁ ସ୍ଥାନୀୟ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକରେ ସେଠାକାର ସାମାଜିକ ଅବସ୍ଥା, ସାମୂହିକ ସ୍ୱାର୍ଥ ଓ ଆଶା-ଆକାଂକ୍ଷାର ସୁରକ୍ଷା ଲାଗି ଉଦବେଗ ବୃହତ ପ୍ରକାଶକଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରୁନାହିଁ । ଫଳରେ ସ୍ଥାନୀୟ ସମ୍ୱାଦ ପରିବେଷଣରେ ଗୁଣବତ୍ତା ହ୍ରାସ ପାଉଛି । ବୃହତ ପ୍ରକାଶକମାନେ ବ୍ୟାବସାୟିକ ଲାଭ ପ୍ରତି ଦୃଷ୍ଟିବଦ୍ଧ ରହୁଥିବା ହେତୁ ଲୋକାଭିମୁଖୀ ଆଭିମୁଖ୍ୟ ଗ୍ରହଣ କରିପାରୁନାହାନ୍ତି । ଏହା ପ୍ରକାରନ୍ତେ ଗଣତନ୍ତ୍ର ନିମନ୍ତେ ବିପଦ ସାଜୁଥିବା ଅନୁମେୟ ।

 

ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ମାଲିକାନା ସ୍ୱାଧୀନ ପ୍ରକାଶକଙ୍କ ଆୟତ୍ତାଧୀନ ନହେଲେ ସମ୍ୱାଦ ମଞ୍ଚ ସାମାଜିକ ବିକାଶ ଧାରାରେ ସାମିଲ ହୋଇପାରେ ନାହିଁ । ଠିକ ସେହିପରି ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରରେ ସମ୍ୱାଦ ପରିବେଷଣରେ ସାଧାରଣ ନାଗରିକଙ୍କୁ ଅନ୍ତର୍ଭୁକ୍ତ ନକରାଯାଇପାରିଲେ ଗଭୀର-ସ୍ଥାନୀୟ-ସମ୍ୱାଦ ସଂଗ୍ରହ ଫଳବତୀ ହୋଇନଥାଏ । ଅନଲାଇନ ସମ୍ୱାଦ ପରିବେଷଣ ଧାରା ପ୍ରସାର ପରେ ବୃତ୍ତିଧାରୀ ଓ ମୁକ୍ତ ବୃତ୍ତି ସାମ୍ୱାଦିକଙ୍କ ସହ ନାଗରିକ ସାମ୍ୱାଦିକଙ୍କ ଭୂମିକା ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକ ନିମନ୍ତେ ଅପରିହାର୍ଯ୍ୟ ହୋଇପଡ଼ିଛି । ଏହି କାରଣରୁ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ନାଗରିକ ସାମ୍ୱାଦିକତା ପ୍ରତି ଗୁରୁତ୍ୱ ଆରୋପ କରିବା ସମୟ ଉପନୀତ ବୋଲି କୁହାଯାଇପାରେ ।

 

ଗଭୀର-ସ୍ଥାନୀୟ-ସମ୍ୱାଦ ସଂଗ୍ରହ କ୍ଷେତ୍ରରେ ଆଧୁନିକ ନାଗରିକ ସାମ୍ୱାଦିକତା ମୁଖ୍ୟତଃ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ସୋସିଆଲ ମିଡ଼ିଆର ପ୍ରସାର କାଳରେ ବିକଶିତ । ସୋସିଆଲ ମିଡ଼ିଆରେ ବୃତ୍ତିଧାରୀ ଓ ମୁକ୍ତ ସାମ୍ୱାଦିକଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ସମ୍ୱାଦ ପ୍ରସାରଣ କଲେ, ସେମାନଙ୍କୁ ‘ନାଗରିକ ସାମ୍ୱାଦିକ’ ନାମିତ କରାଗଲା । ସମ୍ୱାଦ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ନିମନ୍ତେ କ୍ରମବିକଶିତ ସୋସିଆଲ ମିଡ଼ିଆର ମୁକାବିଲା ନିମନ୍ତେ ମୂଳସ୍ରୋତର ସମ୍ୱାଦପତ୍ରଗୁଡ଼ିକ କ୍ରମଶଃ ଗଭୀର-ସ୍ଥାନୀୟ ସମ୍ୱାଦ ସଂଗ୍ରହ ଓ ପ୍ରକାଶନ ପ୍ରତି ଗୁରୁତ୍ୱ ଆରୋପ କଲେ । ଏଥି ପୂର୍ବରୁ ଆଞ୍ଚଳିକସ୍ତରରେ ସାପ୍ତାହିକ, ପାକ୍ଷିକ ଓ ମାସିକଭିତ୍ତିରେ ସ୍ଥାନୀୟ ସମ୍ୱାଦ ସମୃଦ୍ଧ ମୁଦ୍ରିତ ସମ୍ୱାଦପତ୍ର ମୁଦ୍ରଣ କାରିଗରୀ କୌଶଳ ଆରମ୍ଭ କାଳରୁ ପ୍ରଚଳିତ ଥିଲା । ସେହି ପ୍ରକାଶନଗୁଡ଼ିକରେ ସ୍ଥାନୀୟ ନାଗରିକ ସମ୍ୱାଦ ପରିବେଷଣ କରିଆସୁଥିଲେ । ଆଧୁନିକ ପରିବେଶରେ ଏ ସମସ୍ତଙ୍କୁ ‘ନାଗରିକ ସାମ୍ୱାଦିକ’ ପର୍ଯ୍ୟାୟଭୁକ୍ତ କରାଯାଏ ।

 

ନାଗରିକ ସାମ୍ୱାଦିକମାନେ (୧) ନିର୍ଦ୍ଦିଷ୍ଟ ସୀମିତ ଭୌଗଳିକ ପରିସୀମାରେ ସମ୍ୱାଦ ସଂଗ୍ରହ କରନ୍ତି । (୨) ଏହି ଧରଣର ସମ୍ୱାଦ ମୌଳିକ । ଅର୍ଥାତ, ସାଧାରଣରେ ଅନ୍ୟ କୌଣସି ସାମ୍ୱାଦିକ, ଅନ୍ୟ କୌଣସି ମଞ୍ଚ ପ୍ରକାଶ କରିନଥାନ୍ତି । (୩) ଗଣମାଧ୍ୟମ ପରିଧିରେ ଅନାଲୋଚ଼ିତ ଘଟଣାକ୍ରମଗୁଡ଼ିକ ଗଭୀର-ସ୍ଥାନୀୟ-ସମ୍ୱାଦ ରୂପେ ନାଗରିକ ସାମ୍ୱାଦିକଙ୍କ ଦ୍ୱାରା ଚର୍ଚ୍ଚିତ ହୋଇଥାଏ । ନାଗରିକ ସାମ୍ୱାଦିକମାନେ ମୁଖ୍ୟତଃ (୧) ଘଟଣା ‘ହାର୍ଡ ନିଉଜ’ ବଦଳରେ ସମ୍ୱେଦନଶୀଳ ପ୍ରସଙ୍ଗ ‘ସଫଟ ନିଉଜ’କୁ ପ୍ରାଧାନ୍ୟ ଦେଇଥାନ୍ତି । ଉଦାହରଣରେ ଚୋରିହାରି, ଦୁର୍ଘଟଣା ବଦଳରେ ଜନଜୀବନରେ ଦୈନନ୍ଦିନ ଘଟଣାବଳୀରୁ ସମ୍ୱାଦସୂତ୍ର ଖୋଜିଥାନ୍ତି । (୨) ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତିଗତ ଅଭିଜ୍ଞତା ଓ ଖୋଜଖବରରୁ ପ୍ରାପ୍ତ ତଥ୍ୟ ଆଧାରରେ ସମ୍ୱାଦ ରଚ଼ନା କରିଥାନ୍ତି । କାରଣ ବୃତ୍ତିଧାରୀ ସାମ୍ୱାଦିକଙ୍କ ଭଳି ନାଗରିକ ସାମ୍ୱାଦିକଙ୍କୁ ପୋଲିସ, ପଦସ୍ଥ ସରକାରୀ କର୍ମଚାରୀ ସାମ୍ୱାଦିକ ମାନ୍ୟତା ଦେଇ ନଥାନ୍ତି । (୩) ନାଗରିକ ସାମ୍ୱାଦିକଙ୍କ ଦ୍ୱାରା ପ୍ରସ୍ତୁତ ସମ୍ୱାଦ କେବଳ ଗୋଟିଏ ସୂତ୍ର ଉପରେ ଆଧାରିତ ହୋଇଥାଏ ।

 

ଗଭୀର-ସ୍ଥାନୀୟ-ସମ୍ୱାଦ ସମକାଳରେ ଉପଭୋକ୍ତାଙ୍କ ସମ୍ୱାଦ ବିମୁଖ ଆଚ଼ରଣରେ ପରିବର୍ତ୍ତନ ଆଣିବା ଆଶା କରାଯାଏ । ଓଡ଼ିଆ ସାମ୍ୱାଦିକତା ପରିସରରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ସମ୍ୱାଦପତ୍ରଗୁଡ଼ିକ ନାଗରିକ ସାମ୍ୱାଦିକତାକୁ ଗୁରୁତ୍ୱ ଦେଲେ ସେମାନଙ୍କ ସମ୍ୱାଦପତ୍ରର ଗୁଣାତ୍ମକ ବିକାଶ ସଂଭବ । ଏହି ଦିଗରେ ଉଦ୍ୟମ ଗ୍ରାହକ ସଂଗ୍ରହ, ପ୍ରତିପତ୍ତି ବୃଦ୍ଧି ଓ ସର୍ବୋପରି ସାମାଜିକ ପ୍ରଗତିରେ ସହଭାଗିତାର ପ୍ରମାଣ ମିଳିଥାଏ । ମୁଦ୍ରିତ ସମ୍ୱାଦପତ୍ର ପ୍ରଯୋଜନା ଖର୍ଚ୍ଚ ବୃଦ୍ଧି, ସୋସିଆଲ ମିଡ଼ିଆ ପକ୍ଷରୁ ବିକଳ୍ପ ସମ୍ୱାଦ ମଞ୍ଚ ପ୍ରସ୍ତୁତି ଓ ଅନିଶ୍ଚିତ ବ୍ୟାବସାୟିକ ଭବିଷ୍ୟତର ମୁକାବିଲା କରିବା ନିମନ୍ତେ ପଛୁଆ ବର୍ଗରେ ରହିଆସିଥିବା ସମ୍ୱାଦ ମଞ୍ଚଗୁଡ଼ିକ ସୁଚ଼ିନ୍ତିତ ଯୋଜନାବଦ୍ଧ ଉଦ୍ୟମ କରିବା ସମୟ ଉପନୀତ ।

 

ସ୍ଥାନୀୟ-ସମ୍ୱାଦ-ବିକାଶ ଅଭିଯାନ ରୂପାୟନକଳ୍ପେ ଏକ ଦୈନିକ ଓଡ଼ିଆ ସମ୍ୱାଦପତ୍ରକୁ ଉଦାହରଣ ରୂପେ ଗ୍ରହଣକରି ପ୍ରସ୍ତୁତ ୧୬ ପୃଷ୍ଠାର ନମୂନା ପ୍ରସ୍ତାବିତ ମାର୍ଗଦର୍ଶିକା ଡ଼ାଉନଲୋଡ଼ କରିବା ନିମନ୍ତେ ଆଗ୍ରହୀ ସମ୍ୱାଦକର୍ମୀ ଓ ସମ୍ୱାଦ ମଞ୍ଚ ପ୍ରାୟୋଜକଗଣ ନିମ୍ନ ପ୍ରଦତ୍ତ ଲିଙ୍କ ପରିଦର୍ଶନ କରନ୍ତୁ : https://www.pmjournalism.in/resources 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୦ ମାର୍ଚ୍ଚ ୨୦୨୩


ତଥ୍ୟ:

 

The Guardian view on local journalism’s decline : Bad news for democracy / Editorial / The Guardian / 5 Mar 2023

 

https://www.theguardian.com/commentisfree/2023/mar/05/the-guardian-view-onlocal-journalisms-decline-bad-news-for-democracy

 

Dheer, Evelien and Steve Paulusen. The use of citizen journalism for hyper local news production

 

https://core.ac.uk 

ଡ଼ିଜିଟାଲ ମଞ୍ଚରେ ସ୍ଥାନୀୟ ସମ୍ୱାଦ ୨୦୨୩ 

ଭାରତରେ ୨୦୨୩ ସୁଦ୍ଧା ୭୫ କୋଟିରୁ ଉର୍ଦ୍ଧ୍ୱ ସକ୍ରିୟ ଇଣ୍ଟରନେଟ ଉପଭୋକ୍ତା ହିସାବ କରାଯାଏ । ସକ୍ରିୟ ବା ‘ଏକଟିଭ’ ଇଣ୍ଟରନେଟ ଉପଭୋକ୍ତା ଅର୍ଥ ସେମାନେ ମାସରେ ଅନ୍ତତଃ ଥରେ ଇଣ୍ଟରନେଟ ମଞ୍ଚରେ ଅବତୀର୍ଣ୍ଣ ହୋଇଥାନ୍ତି । ଏଥି ମଧ୍ୟରେ ଆଞ୍ଚଳିକ ଭାଷାରେ ଇଣ୍ଟରନେଟ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସଂଖ୍ୟା ୭୨ କୋଟିରୁ ଉର୍ଦ୍ଧ୍ୱ । ଏହି ପରିସଂଖ୍ୟାନ ପରିବର୍ତ୍ତିତ ପରିବେଶରେ ଇଣ୍ଟରନେଟ ମଞ୍ଚରେ ଆଞ୍ଚଳିକ ଭାଷାରେ ବ୍ୟବହାର ବୃଦ୍ଧି ସୂଚ଼ିତ କରିଥାଏ । ଅର୍ଥାତ, ଆଗାମୀ ଦୁଇ ରୁ ସାତ ବର୍ଷ ୨୦୨୫ ବା ୨୦୩୦ ସୁଦ୍ଧା ଦେଶରେ ଆଞ୍ଚଳିକ ଭାଷାର ଗୁରୁତ୍ୱ ବେଶ ସମୃଦ୍ଧ ହେବା ଆଶା କରାଯାଏ ।

 

ଖ୍ୟାତନାମା ଇଣ୍ଟରନେଟ ସେବା ପ୍ରଦାନକାରୀ ପ୍ରତିଷ୍ଠାନ ‘ଗୁଗୁଲ’ ଭାରତରେ ଅନଲାଇନ ସାମ୍ୱାଦିକତା ବିକାଶ ନିମନ୍ତେ ‘ଗୁଗୁଲ ନିଉଜ ଇନିସିଏଟିଭ’ ନାମକ ଏକ କାର୍ଯ୍ୟକ୍ରମ ପ୍ରଯୋଜନା କରେ । ଗୁଗୁଲ ନିଉଜ ଇନିସେଟିଭ ଆନୁକୂଲ୍ୟରେ ଜାତୀୟସ୍ତରରେ ଡ଼ିଜିଟାଲ ସାମ୍ୱାଦିକତା ସ୍ଥିତାବସ୍ଥା ଅନୁଶୀଳନ ନିମନ୍ତେ ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧ ଗବେଷଣା ପ୍ରତିଷ୍ଠାନ ‘କାନ୍ତାର ଇଣ୍ଡିଆ’ ସହଯୋଗରେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ସେହି ବିବରଣୀ ମେ’ ୨୦୨୩ରେ ପ୍ରକାଶ ପାଇଥିଲା ।

 

ଗୁଗୁଲ-କାନ୍ତାର ସର୍ବେକ୍ଷଣ ନିମନ୍ତେ ‘ଆଇ-କ୍ୟୁବ’ ନାମକ ଗବେଷଣା ମଞ୍ଚ ବ୍ୟବହୃତ ହୋଇଥିଲା । ‘ଆଇ-କ୍ୟୁବ’ ମଞ୍ଚରେ ଦେଶର ୩୯୦ରୁ ଅଧିକ ସହରାଞ୍ଚଳରେ ବସବାସ କରୁଥିବା ୬୦ ହଜାର ବ୍ୟକ୍ତି ଯୋଡ଼ି ହୋଇଥାନ୍ତି । ଏତଦ୍ ବ୍ୟତୀତ ହିନ୍ଦି, ଗୁଜରାଟୀ, ବାଂଲା, ତେଲୁଗୁ, ତାମିଲ, କନ୍ନଡ଼ ଓ ମଳାୟଳମ ଆଠଗୋଟି ଭାଷାରେ ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କଠାରୁ ୪୩ ଗୋଟି ସହରରେ ମଧ୍ୟ ତଥ୍ୟ ସଂଗୃହୀତ ହୋଇଥିଲା । ଏହି ବ୍ୟାପକ ଆୟୋଜନ ଦୃଷ୍ଟିରୁ ଗୁଗୁଲ-କାନ୍ତାର ପ୍ରସ୍ତୁତ ‘ଇଣ୍ଡିଆନ ଲାଙ୍ଗୁଏଜେସ - ଅଣ୍ଡରଷ୍ଟାଣ୍ଡିଂ ଇଣ୍ଡିଆସ ଡିଜିଟାଲ ନିଉଜ କନଜ୍ୟୁମର’ରେ ପ୍ରଦତ୍ତ ତଥ୍ୟାବଳୀକୁ ବିଶ୍ୱାସଯୋଗ୍ୟ ବିଚାର କରାଯାଇପାରେ ।

 

ପ୍ରକାଶିତ ବିବରଣୀରେ ଦର୍ଶାଯାଇଛି ଯେ ଭାରତରେ ପଚାଶ ପ୍ରତିଶତ ଇଣ୍ଟରନେଟ ଉପଭୋକ୍ତା ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ କରନ୍ତି । ଏମାନଙ୍କ ସଂଖ୍ୟା ପ୍ରାୟ ୩୮ କୋଟି । ଆଞ୍ଚଳିକ ଭାଷାରେ ଇଣ୍ଟରନେଟ ମଞ୍ଚରେ ସମ୍ୱାଦ ଉପଭୋକ୍ତାଙ୍କ ସଂଖ୍ୟା ୧୫ କୋଟିରୁ ଉର୍ଦ୍ଧ୍ୱ । ଏଥି ମଧ୍ୟରେ ସହରାଞ୍ଚଳ ଉପଭୋକ୍ତାଙ୍କ ସଂଖ୍ୟା ୪୧ ପ୍ରତିଶତ ଥିବା ସ୍ଥଳେ ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ସଂଖ୍ୟା ୫୯ ପ୍ରତିଶତ ।

 

ଏଥିରୁ ଦୁଇଗୋଟି ବିଷୟ ସ୍ୱଷ୍ଟ ହୋଇଥାଏ । ପ୍ରଥମତଃ, ଜାତୀୟସ୍ତରରେ ସମୁଦାୟ ଜନସଂଖ୍ୟାର ପ୍ରାୟ ଦଶରୁ ବାର ପ୍ରତିଶତ ଆଞ୍ଚଳିକ ଭାଷାରେ ଅନଲାଇନ ସମ୍ୱାଦ ଉପଭୋକ୍ତା ଏବଂ ଦ୍ୱିତୀୟରେ ଏହି ଅନୁପାତରେ ଓଡ଼ିଶା ଭଳି ରାଜ୍ୟରେ ୪୫ ରୁ ୫୦ ଲକ୍ଷ ଯାଏଁ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଉପଭୋକ୍ତା ଆକଳନ କରାଯାଇପାରେ । ଓଡ଼ିଶା ଭଳି ରାଜ୍ୟରେ ଅନ୍ୟାନ୍ୟ ଗଣମାଧ୍ୟମ ମଞ୍ଚ ତୁଳନାରେ ଡ଼ିଜିଟାଲ ମଞ୍ଚ ସମତୁଲ ଅବସ୍ଥାରେ ପହଞ୍ଚିଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଅବଶ୍ୟ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ତୁଳନାରେ ଏହି ମଞ୍ଚର ବିକାଶ ନିମନ୍ତେ ଯେଉଁ ତତ୍ପରତା ପ୍ରକାଶ ପାଇବା କଥା ତାହା ୨୦୨୩ ସୁଦ୍ଧା ସମ୍ଭବ ହୋଇପାରି ନାହିଁ ।

 

ଏହି ସର୍ବେକ୍ଷଣରୁ ପ୍ରାପ୍ତ ଅନ୍ୟ ଏକ ଉଲ୍ଲେଖନୀୟ ପ୍ରସଙ୍ଗ ସ୍ଥାନୀୟ ସମ୍ୱାଦ ଉପରେ ପର୍ଯ୍ୟବସିତ । କୁହାଯାଇଛି ଯେ ଦେଶରେ ସତୁରି ପ୍ରତିଶତ ଇଣ୍ଟରନେଟ ସମ୍ୱାଦ ଉପଭୋକ୍ତା ଡ଼ିଜିଟାଲ ମଞ୍ଚରେ ସ୍ଥାନୀୟ ସମ୍ୱାଦ ଖୋଜନ୍ତି । ଏହି ଧାରା ହିନ୍ଦି ଓ ଗୁଜରାଟୀ ଭାଷାଭାଷୀଙ୍କ ମଧ୍ୟରେ ବ୍ୟାପକ ଭାବେ ପ୍ରତିଫଳିତ । ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ସ୍ଥାନୀୟ ସମ୍ୱାଦ ପ୍ରସାରଣରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ବିଜ୍ଞାପନ ଆୟ ହାନୀ ଓ ପ୍ରଯୋଜନା ଖର୍ଚ୍ଚ ବୃଦ୍ଧି ହେତୁ ବହୁ ସଂଖ୍ୟାରେ ବନ୍ଦ ହୋଇଯିବାପରେ ଡ଼ିଜିଟାଲ ମଞ୍ଚ ବିକଳ୍ପ ଭାବେ ପ୍ରତିଷ୍ଠିତ ହୋଇଥିବା ଜଣାଯାଏ । ସେହି ପ୍ରବାହ କ୍ରମଶଃ ଭାରତଭଳି ରାଷ୍ଟ୍ରକୁ ବ୍ୟାପୁଥିବା ସୁସ୍ପଷ୍ଟ ।

 

ଦେଖିବାକୁ ମିଳେ ଯେ ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକରେ ସ୍ଥାନ ପାଉନଥିବା ସ୍ଥାନୀୟ ସମସ୍ୟାଗୁଡ଼ିକ ଡିଜିଟାଲ ମଞ୍ଚରେ ବର୍ଣ୍ଣିତ ହୁଏ । ଉପଭୋକ୍ତାମାନେ ପାରିପାର୍ଶ୍ୱିକ ସମ୍ୱାଦ ଜାଣିବା ପରେ ନିଜ ଜୀବନଚର୍ଯ୍ୟା ସଜାଡ଼ିବା ସହଜପ୍ରଦ ହୋଇଥାଏ । ଏତଦ୍ୱାରା ସମାଜରେ ସ୍ୱଚ୍ଛତା ବୃଦ୍ଧି ପାଏ ଏବଂ ସମ୍ୱାଦ ମଞ୍ଚଗୁଡ଼ିକ ଉପଭୋକ୍ତାଙ୍କ ଜନଜୀବନରେ ଯୋଡ଼ି ହେବା ସୁଯୋଗ ହାସଲ କରିଥାନ୍ତି । ଫଳରେ ଡିଜିଟାଲ ମଞ୍ଚ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ପାଲଟିଥାଏ ।

 

ସ୍ଥାନୀୟ ସମ୍ୱାଦକୁ ମୂଳସ୍ରୋତର ସମ୍ୱାଦ ମଞ୍ଚଗୁଡ଼ିକ ଅଣଦେଖା କରୁଥିବା ହେତୁ ସୃଷ୍ଟି ହେଉଥିବା ଶୂନ୍ୟସ୍ଥାନକୁ ଉଭୟ ସ୍ଥାନୀୟ ସମ୍ୱାଦ ୱେବ ସାଇଟ ଓ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ପୂରଣ କରିବାକୁ ଉଦ୍ୟମରତ । ୱେବସାଇଟ ଓ ଆପ୍ଲିକେସନ ନିର୍ମାଣ ବୈଷୟିକ କୌଶଳ ସହଜରେ ଉପଲବ୍ଧ ହେବାପରେ ସ୍ଥାନୀୟ ସମ୍ୱାଦ ପ୍ରସାରଣରେ ସ୍ଥାନୀୟ ସାମ୍ୱାଦିକମାନେ ସକ୍ରିୟ ହେଉଛନ୍ତି । ସ୍ଥାନୀୟ ସମ୍ୱାଦ ପ୍ରସାରଣ ନିମନ୍ତେ ଜାତୀୟସ୍ତରରେ ୱେ-ଟୁ-ନିଉଜ, ଲୋକାଲ, ୱାନ-ଇଣ୍ଡିଆ ଭଳି ୱେବସାଇଟଗୁଡ଼ିକ ଲୋକପ୍ରିୟତା ହାସଲ କରିଥିବା ସ୍ଥଳେ ଆଞ୍ଚଳିକସ୍ତରରେ ବହୁ ସଂଖ୍ୟକ ୱେବସାଇଟ ଓ ଆପ୍ଲିକେସନ ଉପଲବ୍ଧ । କେରଳର କୋଚି ଓ ମହାରାଷ୍ଟ୍ରର ସୋଲାପୁରଠାରେ ହ୍ୱାଟସଅପ ଗୃପ ଯୋଗେ ସ୍ଥାନୀୟ ସମ୍ୱାଦ ପ୍ରସାରଣ ଉଦାହରଣ ଚର୍ଚ୍ଚିତ ।

 

ଡିଜିଟାଲ ମଞ୍ଚରେ ସ୍ଥାନୀୟ ସମ୍ୱାଦ କ୍ଷେତ୍ରରେ ଉପଭୋକ୍ତାମାନଙ୍କ ମଧ୍ୟରୁ ୭୪ ପ୍ରତିଶତ ଦୃଶ୍ୟ ‘ଭିଡ଼ିଓ’ ମାଧ୍ୟମରେ ଆହରଣ କରୁଥିବା ପ୍ରକାଶ । ମାତ୍ର ୧୪ ପ୍ରତିଶତ ପାଠ୍ୟ ଓ ୧୧ ପ୍ରତିଶତ ଶ୍ରାବ୍ୟ ‘ଅଡ଼ିଓ’ ମାଧ୍ୟମ ନିର୍ବାଚ଼ନ କରିଥାନ୍ତି । ସୋସିଆଲ ମିଡ଼ିଆ ବ୍ୟବହାରରେ ୟୁଟ୍ୟୁବ ୯୩ ପ୍ରତିଶତ ଏବଂ ହ୍ୱାଟସଆପ ଭଳି ଚାଟ ଆପ୍ଲିକେସନଗୁଡ଼ିକରେ ୮୨ ପ୍ରତିଶତ ଉପଭୋକ୍ତା ସମ୍ୱାଦ ପାଇଥାନ୍ତି । ସମ୍ୱାଦ ମଞ୍ଚଗୁଡ଼ିକ ଦ୍ୱାରା ପରିଚାଳିତ ୱେବସାଇଟ ଓ ଆପ୍ଲିକେସନଗୁଡ଼ିକ ପ୍ରାୟ ୪୫ ପ୍ରତିଶତ ଉପଭୋକ୍ତା ଉପଯୋଗ କରୁଥିବା ଅନ୍ୟ ଏକ ଉଲ୍ଲେଖନୀୟ ତଥ୍ୟ ।

 

ଅନଲାଇନ ମଞ୍ଚରେ ସ୍ଥାନୀୟ ସମ୍ୱାଦ ସାଙ୍ଗକୁ ମନୋରଞ୍ଜନ, ଅପରାଧ ଓ ସମ୍ୱାଦ ଶିରୋନାମା ସର୍ବାଧିକ ଲୋକପ୍ରିୟ । ଏହାପରକୁ ସ୍ୱାସ୍ଥ୍ୟ, ନୂତନ କାରିଗରୀ କୌଶଳ ‘ଟେକନୋଲଜି’ ଓ ଫ୍ୟାଶନ ଗୁରୁତ୍ୱ ଲାଭ କରେ । ବିଶ୍ୱସନୀୟ ସମ୍ୱାଦ ସୂତ୍ର ଓ ସରଳ ସାବଲୀଳ ଭାଷା ସମ୍ୱାଦ ମଞ୍ଚଗୁଡ଼ିକର ସଫଳତାର ରହସ୍ୟ । ମୁଦ୍ରିତ ଓ ଟେଲିଭିଜନ ଭଳି ପାରମ୍ପରିକ ଗଣମାଧ୍ୟମ ମଞ୍ଚରୁ ଅନଲାଇନ ମଞ୍ଚକୁ ଉପଭୋକ୍ତା ଅପସାରଣ ପ୍ରକ୍ରିୟାରେ ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ସମ୍ୱାଦ ଆହରଣ ଏବଂ ଅପେକ୍ଷାକୃତ ସହଜ, ତୁରନ୍ତ ଓ କମ ଖର୍ଚ୍ଚରେ ସଭଂବ ହୋଇପାରୁଥିବା ହେତୁ ଲୋକାଦୃତ ହେଉଥିବା ପ୍ରକାଶିତ ବିବରଣୀରେ ଦର୍ଶାଯାଇଛି ।

 

ସାଧାରଣରେ ଡ଼ିଜିଟାଲ ମଞ୍ଚଗୁଡ଼ିକ ବିଶ୍ୱସନୀୟତା ଦୃଷ୍ଟିରୁ ପଛରେ ପଡ଼ିଥିବା ବିଚାର କରାଯାଉଥିବା ସ୍ଥଳେ ଗୁଗୁଲ-କାନ୍ତାର ଗବେଷଣାରେ ଭିନ୍ନ ମତ ପ୍ରକାଶ ପାଇଛି । ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ କ୍ଷେତ୍ରରେ ୪୮ ପ୍ରତିଶତ ବିଶ୍ୱସନୀୟତାକୁ ଗୁରୁତ୍ୱ ଦେଉଥିବା ବେଳେ ୪୮ ପ୍ରତିଶତ ସରଳ ଓ ସହଜ ଏବଂ ୪୫ ପ୍ରତିଶତ ନିଜ ବଂଧୁବାନ୍ଧବ-ପରିଚ଼ିତ ବର୍ଗରେ ‘ପିଅର ସର୍କଲ’ ଚର୍ଚ୍ଚିତ ହେଉଥିବା ହେତୁ ଆଗ୍ରହ ପ୍ରକାଶ କରୁଥିବା ପ୍ରମାଣିତ । ଡିଜିଟାଲ ସମ୍ୱାଦ ମଞ୍ଚରେ ବିଶ୍ୱସନୀୟତା ସୃଷ୍ଟି ଦିଗରେ ସମ୍ୱାଦ ଉପସ୍ଥାପକଙ୍କ ସହ ଉପଭୋକ୍ତା ପରିଚ଼ିତ ଥିବା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଅନ୍ୟ ଦୁଇ ପ୍ରଭାବ ମଧ୍ୟରେ ଗବେଷଣା ଆଧାରିତ ବିଷୟବସ୍ତୁ ଏବଂ ଦୃଶ୍ୟାବଳୀ, ଚାର୍ଟ ଓ ଗ୍ରାଫ ଭଳି ଉପସ୍ଥାପନ ଶୈଳୀ ସମ୍ୱାଦକୁ ଆକର୍ଷଣୀୟ କରୁଥିବା ପ୍ରକାଶ ।

 

ଗୁଗୁଲ-କାନ୍ତାର ଭାରତୀୟ ଭାଷାଭାଷୀ ଡ଼ିଜିଟାଲ ସମ୍ୱାଦ ଉପଭୋକ୍ତା ଅଧ୍ୟୟନରେ ପ୍ରତି ଦଶ ଜଣରେ ସାତ ଜଣ ସ୍ଥାନୀୟ ସମ୍ୱାଦ ପ୍ରତି ଆଗ୍ରାହାନ୍ୱିତ ଥିବା ଉପଲବ୍ଧି ଓଡ଼ିଆ ସମେତ ଅନ୍ୟାନ୍ୟ ଆଞ୍ଚଳିକ ସାମ୍ୱାଦିକତା ପ୍ରତି ଏକ ଆହ୍ୱାନ । ଓଡ଼ିଶାରେ ପାରମ୍ପରିକ ମୁଦ୍ରିତ ଓ ଟେଲିଭିଜନ ଗଣମାଧ୍ୟମ ମଞ୍ଚଗୁଡ଼ିକ ଡ଼ିଜିଟାଲ ସମ୍ୱାଦ ପ୍ରସାରଣରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଏବଂ ସ୍ଥାନୀୟ ସମ୍ୱାଦ ପରିଚାଳନାରେ ଉତ୍କର୍ଷ ହାସଲ କରିପାରୁନଥିବା ସ୍ଥଳେ ସ୍ୱାଧୀନ ସ୍ଥାନୀୟ ସମ୍ୱାଦ ୱେବସାଇଟ ଓ ସୋସିଆଲ ମିଡ଼ିଆ ପୃଷ୍ଠାରେ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକ ଉଦ୍ୟମ କରିପାରିବେ । ଏହି କ୍ଷେତ୍ରରେ ସୃଜନ ସାଙ୍ଗକୁ ସମୟ ଓ ଆର୍ଥିକ ନିବେଶ ଗୁରୁତ୍ୱପୂର୍ଣ୍ଣ । ନୂତନ ସ୍ୱାଧୀନ ମଞ୍ଚଗୁଡ଼ିକୁ ବୁଝିବାକୁ ପଡ଼ିବ ଯେ ଅନ୍ତତଃ ପକ୍ଷେ ତିନିରୁ ପାଞ୍ଚ ବର୍ଷର ଅବିରତ ପ୍ରକାଶନ ବିନା କୌଣସି ଗଣମାଧ୍ୟମ ମଞ୍ଚ ସଫଳତା ହାସଲ କରିବା ବିରଳ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ ୨୦୨୩


ତଥ୍ୟ:

 

Indian Languages – Understanding India’s Digital News Consumer

A study by Kantar India, supported by Google 2023

 

Kantar- Google report : 1 in 2 India languages internet news are consumes of news in India.

 

https://www.storyboard18.com/how-it-works/kantar-google-report-1-in-2-indian-languages-internet-users-are-consumers-of-news-in-india-7760.htm

 

Indian Languages – understanding India’s Digital News Consumer

 

https://ruralindiaonline.org/en/library/resource/indian-languages---understanding-indias-digital-news-consumer/

ନାଗରିକ ସାମ୍ୱାଦିକତା 

‘ନାଗରିକ ସାମ୍ୱାଦିକତା’ ଚ଼ିହ୍ନଟ ପ୍ରକ୍ରିୟାରେ କେତେଗୋଟି ଦିଗ ପ୍ରାଧାନ୍ୟ ଲାଭ କରେ । ପ୍ରଥମତଃ, ଜନସାଧାରଣଙ୍କ ଦ୍ୱାରା ସମ୍ୱାଦ ସଂଗ୍ରହ, ରଚ଼ନା ଓ ଅନଲାଇନ ପ୍ରସାର ସମେତ ସମସାମୟିକ ସମ୍ୱାଦ ଅନୁଶୀଳନ, ନାଗରିକ ସାମ୍ୱାଦିକତା ନାମିତ । ଦ୍ୱିତୀୟତଃ, ବୃତ୍ତିଧାରୀ ସାମ୍ୱାଦିକଙ୍କ ଭିନ୍ନ ଚଳନ୍ତି ଘଟଣା ପ୍ରବାହରେ ରୁଚ଼ି ରଖୁଥିବା ମୁକ୍ତବୃତ୍ତି ସାମ୍ୱାଦିକ, ସାଧାରଣ ନାଗରିକଙ୍କ ଦ୍ୱାରା ସୋସିଆଲ ମିଡ଼ିଆ, ବ୍ଳଗ ଓ ୱେବସାଇଟରେ କ୍ରମାଗତ ସମ୍ୱାଦ ଓ ଅଭିମତ ପ୍ରକାଶନ ନାଗରିକ ସାମ୍ୱାଦିକତା ପର୍ଯ୍ୟାୟଭୁକ୍ତ ।

 

ତୃତୀୟତଃ, ଡ଼ିଜିଟାଲ ମଞ୍ଚରେ ନାଗରିକ ସାମ୍ୱାଦିକତାର ଉପସ୍ଥିତି ଓ ସୋସିଆଲ ମିଡ଼ିଆର ଲୋକପ୍ରିୟତାରେ ଉଦବୁଦ୍ଧ ହୋଇ ପାରମ୍ପରିକ ମୁଦ୍ରଣ ଓ ଟେଲିଭିଜନ ମଞ୍ଚଗୁଡ଼ିକ ମଧ୍ୟ କ୍ରମଶଃ ସମ୍ୱାଦ ସଂଗ୍ରହ ପ୍ରକ୍ରିୟାରେ ଜନସାଧାରଣଙ୍କୁ ସାମିଲ କରାଇବା ତଥା ବ୍ଳଗ ଓ ୱେବ ସାଇଟରୁ ରଚ଼ନା ଉଦ୍ଧାର କରି ପ୍ରକାଶନ କରିବା ଧାରା ମହାମାରୀ-ପର ପରିବେଶରେ ଆଦୃତି ଲାଭ କରିଥିବା ଦେଖାଯାଏ । ଚ଼ତୁର୍ଥତଃ, ସୋସିଆଲ ମିଡ଼ିଆରେ ଗଭୀର-ସ୍ଥାନୀୟ-ସମ୍ୱାଦ ‘ହାଇପର-ଲୋକାଲ ନିଉଜ’ ପ୍ରସାରଣ ଓ ଲୋକପ୍ରିୟତାକୁ ବିଚାରକୁ ନେଇ ଜନସାଧାରଣଙ୍କ ଦ୍ୱାରା ସଂଗୃହୀତ ସ୍ଥାନୀୟ ତଥ୍ୟ ଓ ଦୃଶ୍ୟ ‘ଭିଡ଼ିଓ’ ସମ୍ୱାଦର ଗୁଣବତ୍ତା ବୃଦ୍ଧିରେ ସହାୟକ ହେଉଥିବା ହେତୁ କ୍ରମବିକଶିତ ନାଗରିକ ସାମ୍ୱାଦିକତାକୁ ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକ ଅଣଦେଖା କରିପାରୁ ନାହାନ୍ତି । ପଞ୍ଚମତଃ, ବିଭିନ୍ନ କାରଣରୁ ପାରମ୍ପରିକ ସାମ୍ୱାଦିକତା ପ୍ରେସ ବିଜ୍ଞପ୍ତି ‘ପ୍ରେସ ରିଲିଜ’ ଆଧାରିତ ହୋଇପଡୁଥିବା ଏବଂ ଏତଦ୍ୱାରା ସୃଷ୍ଟି ହେଉଥିବା ପାଠକ ଓ ଦର୍ଶକ ବିମୁଖ ପରିବେଶର ମୁକାବିଲା କରିବା ନିମନ୍ତେ ନାଗରିକ ସାମ୍ୱାଦିକତା ପ୍ରସାରକୁ ଆନ୍ତର୍ଜାତିକସ୍ତରରେ ସଦ୍ୟତମ ସାଧନ ରୂପେ ବ୍ୟବହୃତ ହେଉଛି ।

 

ଗଣମାଧ୍ୟମ ଭାଷ୍ୟକାରମାନେ ‘ନାଗରିକ ସାମ୍ୱାଦିକତା’ର ଉତ୍ସ ରୂପେ ଦକ୍ଷିଣ କୋରିଆରେ ୨୦୦୦ ମସିହାରେ ଆରମ୍ଭ ହୋଇଥିବା ‘ଓ-ମାଇ-ନିଉଜ’ ନାମକ ୱେବସାଇଟକୁ ଶ୍ରେୟ ଦେଇଥାନ୍ତି । ଏହି ମଞ୍ଚରେ ପ୍ରଥମ ଥର ନିମନ୍ତେ ବୃତ୍ତିଧାରୀ ସାମ୍ୱାଦିକଙ୍କ ବ୍ୟତୀତ ଜନସାଧାରଣଙ୍କୁ ସମ୍ୱାଦ ସଂଗ୍ରହ ଓ ପ୍ରକାଶନ ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇଥିଲା । କ୍ରମଶଃ ଏହି ତତ୍ତ୍ୱ ଆନ୍ତର୍ଜାତିକସ୍ତରକୁ ସଂପ୍ରସାରିତ ହେଲା । ଏକ ପକ୍ଷରେ ପ୍ରାକୃତିକ ଓ ମାନବକୃତ ଦୁର୍ଘଟଣା ଘଟିବା କାଳରେ ସ୍ଥାନୀୟ ଜନସାଧାରଣ ସ୍ମାର୍ଟଫୋନରେ ଖଚ଼ିତ କ୍ୟାମରାରେ ଚ଼ିତ୍ର ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବା ଲୋକାଦୃତି ଲାଭ କରିଥିଲା । ଏହି କ୍ଷେତ୍ରରେ ଘଟଣା ଓ ତୁରନ୍ତ ପ୍ରସାରଣ ପ୍ରାଧାନ୍ୟ ଲାଭ କରୁଥିବା ହେତୁ ଚ଼ିତ୍ର କିମ୍ୱା ପାଠ୍ୟର ଗୁଣବତ୍ତା ବିଚାର ପଛରେ ପଡ଼ିଯାଇଥିଲା । ବୃତ୍ତିଧାରୀ ସାମ୍ୱାଦିକ ଓ ଟେଲିଭିଜନ ଟିମ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଭାଇରାଲ ସମ୍ୱାଦଟି ଇତିହାସ ପୃଷ୍ଠାକୁ ଆସିଯାଇଥାଏ । ଫଳରେ ପାରମ୍ପରିକ ସାମ୍ୱାଦିକତା କେବଳ ଅନୁଶୀଳନ ଓ ଅନୁସନ୍ଧାନସ୍ତରରେ ସୀମିତ ରହେ ।

 

ଅପରପକ୍ଷେ, ଏକବିଂଶ ଶତାଦ୍ଦୀ ଆରମ୍ଭରୁ ବିଭିନ୍ନ ରାଷ୍ଟ୍ରରେ ସଂଘଟିତ ରାଜନୀତିକ ସଂଘର୍ଷ କାଳରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକୁ ସ୍ଥାନୀୟ ସରକାରୀ କଳ ପକ୍ଷରୁ ସମ୍ୱାଦ ଓ ଅଭିମତ ପ୍ରସାରଣ ବାରଣ କରାଯାଉଥିବା ଲକ୍ଷ୍ୟ କରାଯାଏ । ଏହି ଅବସରରେ ଇଣ୍ଟରନେଟ ବନ୍ଦ ‘ସଟ-ଡ଼ାଉନ’ ସତ୍ତ୍ୱେ ବିକଳ୍ପ ବୈଷୟିକ କୌଶଳ ଅବଲମ୍ୱନରେ ନାଗରିକ ସାମ୍ୱାଦିକତା ସମ୍ୱାଦ ପ୍ରସାରଣ ଓ ସମୀକ୍ଷା ବଳବତ୍ତର ରହୁଥିବା ଉଦାହରଣର ଅଭାବ ନଥାଏ । ସ୍ଥଳବିଶେଷରେ କେତେକ ଅଞ୍ଚଳରେ ବର୍ଷ ବର୍ଷ ବ୍ୟାପୀ ରାଜନୀତିକ ଅରାଜକତା ଲାଗି ରହୁଥିବା ତଥା ଯୁଦ୍ଧ, ଗୃହଯୁଦ୍ଧ ପ୍ରପୀଡ଼ିତ ସମାଜରେ ନାଗରିକ ସାମ୍ୱାଦିକତା ଗୁରୁତ୍ୱ ଲାଭ କରୁଛି ।

 

କୋଭିଡ଼-୧୯ ମହାମାରୀ ପୂର୍ବାବସ୍ଥାରେ ଏସୀୟ ମହାଦେଶକୁ ବାଦ ଦେଇ ଅନ୍ୟତ୍ର ଡ଼ିଜିଟାଲ ମଞ୍ଚର ପ୍ରସାର ପରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ବିଜ୍ଞାପନ ଓ ପ୍ରସାର ହ୍ରାସ କାରଣରୁ ବିଘଟନର ଶୀକାର ହୋଇଥିଲା । ତେବେ ମହାମାରୀ-ପର ଅବସ୍ଥାରେ ବିଭିନ୍ନ କାରଣରୁ ସର୍ବତ୍ର ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକ ପ୍ରତି ପାଠକଙ୍କ ବିଶ୍ୱସନୀୟତା ହାନୀ, ଉପଭୋକ୍ତାଙ୍କ ଗଣମାଧ୍ୟମ ମଞ୍ଚ ବିମୁଖ ମନୋଭାବ ଓ ପାରମ୍ପରିକ ମୁଦ୍ରିତ ସମ୍ୱାଦପତ୍ର ବ୍ୟବସାୟ ଲାଭଜନକ ହୋଇପାରୁନଥିବା ଭଳି ସମସ୍ୟା ଘେରରେ ବନ୍ଦୀ । ଏହି ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରକୁ ଆକର୍ଷଣୀୟ କରିବା, ଡ଼ିଜିଟାଲ ମଞ୍ଚର ମୁକାବିଲା ତଥା ବିଶ୍ୱସନୀୟତା ଫେରାଇ ଆଣିବା ଉଦ୍ଦେଶ୍ୟରେ ବିକଳ୍ପ ବ୍ୟାବସାୟିକ ମଡ଼େଲମାନ ପରୀକ୍ଷା କରାଯାଉଛି । ସେହି ଭିଡ଼ରେ ଗଭୀର-ସ୍ଥାନୀୟ-ସମ୍ୱାଦ ପରିବେଷଣ ଉଦ୍ଦେଶ୍ୟରେ ନାଗରିକ ସାମ୍ୱାଦିକତା ପ୍ରତି ଗୁରୁତ୍ୱାରୋପ ଅନ୍ୟତମ ।

 

ମୁଦ୍ରିତ ସମ୍ୱାଦପତ୍ର ଓ ଡ଼ିଜିଟାଲ ସମ୍ୱାଦ ୱେବସାଇଟଗୁଡ଼ିକରେ ନାଗରିକ ସାମ୍ୱାଦିକତା ପ୍ରବର୍ତ୍ତନ ପ୍ରଣାଳୀ ଗୋଟିଏ ପ୍ରକାଶନଠାରୁ ଅନ୍ୟଟି ଭିନ୍ନ । କେତେକ ମୁଦ୍ରିତ ସମ୍ୱାଦପତ୍ର ସପ୍ତାହକୁ କେତେଥର ବା ପ୍ରତି ସଂସ୍କରଣର କେତେ ପୃଷ୍ଠା ନାଗରିକ ସାମ୍ୱାଦିକତା ପ୍ରତି ଉତ୍ସର୍ଗ କରିଥାନ୍ତି । ସାଧାରଣତଃ ସାଧାରଣ ନାଗରିକଙ୍କ ଦ୍ୱାରା ପ୍ରେରିତ ସମ୍ୱାଦ, ଆଲୋକଚ଼ିତ୍ର ବା ଭିଡ଼ିଓଗୁଡ଼ିକୁ ସମ୍ୱାଦ ମଞ୍ଚରେ ଅବସ୍ଥାପିତ ସମ୍ପାଦକମାନେ ତନଖି ସାରିବା ପରେ ପ୍ରକାଶନର ବ୍ୟବସ୍ଥା କରାଯାଇଥାଏ । ଗଭୀର-ସ୍ଥାନୀୟ-ସମ୍ୱାଦର ସ୍ରୋତକୁ ନିରନ୍ତର ଉଜ୍ଜୀବିତ ରଖିବା ନିମନ୍ତେ ସମାଜର ବିଭିନ୍ନ ଶ୍ରେଣୀ ତଥା ଭୌଗଳିକ ପରିବେଶରୁ ଆଗ୍ରହୀ ପାଠକମାନଙ୍କୁ ଚ଼ିହ୍ନଟ କରାଯାଇ ସମ୍ୱାଦ ମଞ୍ଚ ପକ୍ଷରୁ ବରାବର ସଂପର୍କ ସ୍ଥାପିତ ହୋଇଥାଏ । ତଥ୍ୟଗତ ତୃଟି, ମାନହାନୀ ଓ ସମ୍ୱାଦ ପରିବେଷଣରେ ଗୁଣବତ୍ତା ବୃଦ୍ଧି ନିମନ୍ତେ ସମ୍ପାଦକମାନେ ନାଗରିକ ସାମ୍ୱାଦିକଙ୍କୁ ସହଯୋଗ କରିଥାନ୍ତି ।

 

ଓଡ଼ିଶା ସାମ୍ୱାଦିକତା କ୍ଷେତ୍ରରେ ସମ୍ୱାଦପତ୍ର ଉନ୍ମେଷ କାଳରୁ ଗ୍ରାମାଞ୍ଚଳରୁ ଅନ୍ୟ ବୃତ୍ତିରେ ନିୟୋଜିତ ବ୍ୟକ୍ତିଗଣ ସମ୍ୱାଦ ପ୍ରେରଣ କରିଆସିଛନ୍ତି । ସମ୍ୱାଦପତ୍ର ପକ୍ଷରୁ ବ୍ଳକ ବା ଗ୍ରାମପଞ୍ଚାୟତସ୍ତରରେ ସ୍ଥାନୀୟ ବାସିନ୍ଦା ଜଣେ ମାତ୍ର ସମ୍ୱାଦଦାତା ଚ଼ିହ୍ନଟ କରିଥାନ୍ତି । କିନ୍ତୁ ନାଗରିକ ସାମ୍ୱାଦିକତା ପ୍ରଚଳନରେ ଯେ କୌଣସି ବ୍ୟକ୍ତି ସମ୍ୱାଦ ପ୍ରେରଣର ସୁଯୋଗ ପାଇବେ ଏବଂ ନିୟମିତ ସମ୍ୱାଦ ପ୍ରେରଣର ବାଧ୍ୟବାଧକତା ରହିବ ନାହିଁ । ଫଳରେ ସମ୍ୱାଦ ସଂଗ୍ରହ, ରଚନା ଓ ପ୍ରକାଶନ କ୍ଷେତ୍ରରେ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି ସଂଭବ । ଭାରତୀୟ ସମ୍ୱିଧାନ ଅନୁଯାୟୀ ପ୍ରତ୍ୟେକ ନାଗରିକ ମୁକ୍ତ ମତ ପ୍ରକାଶନର ହକଦାର ଏବଂ ବୃତ୍ତିଧାରୀ ସାମ୍ୱାଦିକମାନେ ତତ୍ ଭିନ୍ନ କୌଣସି ଅଧିକାର ଉପଭୋଗ କରିନଥାନ୍ତି । ନାଗରିକ ସାମ୍ୱାଦିକତା ନାଗରିକଙ୍କୁ ପାରିପାର୍ଶ୍ୱିକ ପରିବେଶ ସଂପର୍କରେ ଟୀକା-ଟୀପ୍ପଣି ମୂଳସ୍ରୋତର ସମ୍ୱାଦପତ୍ରରେ ପ୍ରକାଶନର ସୁଯୋଗ ସୃଷ୍ଟି କରିଥାଏ । ଏହା ପ୍ରଶାସନିକ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ, ଜନଜୀବନ ସମସ୍ୟା ସମାଧାନର ସୂତ୍ର ନିର୍ଦ୍ଧାରଣ ଓ ରାଜନୀତିକ ମତବାଦ ବିଚାର ବିମର୍ଷରେ ସହାୟକ ହେବା ସୁସ୍ପଷ୍ଟ ।

 

ଓଡ଼ିଶାର ମୁଦ୍ରିତ ସମ୍ୱାଦପତ୍ର ଭାରତ ସ୍ୱାଧୀନତା ପ୍ରାପ୍ତି ଯାଏଁ ଲୋକାଭିମୁଖୀ ଆଭିମୁଖ୍ୟ ଗ୍ରହଣ କରି ଆସିଥିଲା । ସମ୍ୱାଦପତ୍ର ବ୍ୟବସାୟ ବଦଳରେ ଲୋକସେବା ପର୍ଯ୍ୟାୟଭୁକ୍ତ ହେଉଥିଲା । ଫଳରେ ରାଜନୀତିକ ଆନ୍ଦୋଳନ, ସମାଜ ସଂସ୍କାର ଓ ସାଂସ୍କୃତିକ ଅଭିବୃଦ୍ଧି ଉଦ୍ଦେଶ୍ୟରେ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ସମ୍ୱାଦପତ୍ର ପ୍ରକାଶନ ନିମନ୍ତେ ଅନୁଦାନ ଦେଇ ଆସୁଥିଲେ । ସ୍ୱାଧୀନୋତ୍ତର ଅବସ୍ଥାରେ ଜାତୀୟସ୍ତରରେ ଆଞ୍ଚଳିକ ଭାଷାଗୁଡ଼ିକରେ କ୍ରମବିକଶିତ ମଡ଼େଲ ଅନୁସରଣରେ ସରକାରୀ ବିଜ୍ଞାପନ ଆଶ୍ରିତ ପରିବେଶରେ ପହଞ୍ଚିଥିଲା । ବ୍ୟାବସାୟିକ ବିଜ୍ଞାପନ ପ୍ରସାର ଦୌଡ଼ରେ ଅଗ୍ରଣୀ ଦୁଇ ତିନିଗୋଟି ସମ୍ୱାଦପତ୍ର ଏବଂ ପର୍ଯ୍ୟାପ୍ତ ମାତ୍ରାରେ ସରକାରୀ ବିଜ୍ଞାପନ ଅଧ ଡ଼ଜନେ ସମ୍ୱାଦପତ୍ର ମଧ୍ୟରେ ସୀମିତ ରହୁଥିଲା । ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକ ଓ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ବିପୁଳ ସଂଖ୍ୟକ ମୁଦ୍ରିତ ସମ୍ୱାଦପତ୍ର ଆତ୍ମପ୍ରକାଶ କରିଥିଲେ ହେଁ ୯୫ ପ୍ରତିଶତ ବ୍ୟାବସାୟିକ ଓ ସରକାରୀ ବିଜ୍ଞାପନ ଅପେକ୍ଷାରେ ହିଁ ରହିଥିଲେ ।

 

ଭାରତରେ ଆଞ୍ଚଳିକ ଭାଷାରେ ସୀମିତ ସଂଖ୍ୟକ ସମ୍ୱାଦ ଉପଭୋକ୍ତା କାରଣରୁ ଗଣମାଧ୍ୟମ ମଞ୍ଚଗୁଡ଼ିକ ବ୍ୟାବସାୟିକସ୍ତରରେ ଆର୍ଥିକ ସମତୁଲ ରକ୍ଷା କରିପାରନ୍ତି ନାହିଁ । ସରକାରୀ ବିଜ୍ଞାପନ ନିମନ୍ତେ ପ୍ରଚାରଧର୍ମୀ ସାମ୍ୱାଦିକତା ପ୍ରଚଳନରେ ବିଶ୍ୱସନୀୟତା ହାନୀ ଓ ସମ୍ୱାଦ ବିମୁଖ ପରିବେଶ ସୃଷ୍ଟି ହୁଏ । ହିନ୍ଦି, ତେଲୁଗୁ, ତାମିଲ, ମାଳାୟଳମ ଓ ବଙ୍ଗଳା ଭଳି ପାଠକ ଓ ଦର୍ଶକ ସମୃଦ୍ଧ ରାଜ୍ୟଗୁଡ଼ିକୁ ବାଦ ଦେଲେ ଅନ୍ୟତ୍ର ଗଣମାଧ୍ୟମ ମଞ୍ଚଗୁଡ଼ିକ ସରକାରୀ ଦୟାର ପାତ୍ର ହୋଇଥାନ୍ତି । ଏହି ବିଷଚ଼କ୍ରରୁ ମୁକ୍ତି ପାଇବାଲାଗି ବିକଳ୍ପ ମଡ଼େଲ ପରୀକ୍ଷା ନିରୀକ୍ଷା କରିବା ଯୁକ୍ତିଯୁକ୍ତ ମନେହୁଏ । ଅନ୍ତତଃପକ୍ଷେ ଅନ୍ୟତ୍ର ଯେଉଁ ବ୍ୟାବସାୟିକ ମଡ଼େଲଗୁଡ଼ିକ ସଫଳତା ହାସଲ କରିଛି, ସେଗୁଡ଼ିକର ସ୍ଥାନୀୟ ସଂସ୍କରଣ ଉପଯୋଗ କରାଯାଇପାରେ । ଏହି କ୍ରମରେ ଅବକ୍ଷୟମୁଖୀ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପକୁ ଲୋକାଭିମୁଖୀ କରିବା ନିମନ୍ତେ ନାଗରିକ ସାମ୍ୱାଦିକତା ପ୍ରଚଳନ କିଛି ମାତ୍ରାରେ ସହାୟକ ହେବା ଆଶା କରାଯାଇପାରେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୪ ମାର୍ଚ୍ଚ ୨୦୨୩


ତଥ୍ୟ :

 

Albarado, Sonny. Citizen Journalism. Encyclopaedia Britannica, 21 Nov 2018

 

https://www.britannica.com/topic/citizen-journalism 


ସମ୍ୱାଦ ମଞ୍ଚର ମାଲିକାନା

ସାମ୍ୱାଦିକତାରେ ଉତ୍କର୍ଷ ପ୍ରଦର୍ଶନ ଅନେକାଂଶରେ ସମ୍ୱାଦମଞ୍ଚର ମାଲିକାନା ଉପରେ ନିର୍ଭରଶୀଳ । ଊନବିଂଶ ଶତାଦ୍ଦୀ ଆଦ୍ୟ ଭାଗରେ ପାଶ୍ଚାତ୍ୟ ଭୂଖଣ୍ଡରେ ମୁଦ୍ରିତ ସମ୍ୱାଦପତ୍ର ସାକ୍ଷରତା ପ୍ରସାର, ମାନବିକ ଅଧିକାର ସୁରକ୍ଷା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବିକାଶର ସାଧନ ରୂପେ ସ୍ୱୀକୃତି ଲାଭ କରିଥିଲା । ଏକବିଂଶ ଶତାଦ୍ଦୀରେ ଆନ୍ତର୍ଜାତିକ ସହାବସ୍ଥାନ ‘ଗ୍ଳୋବାଲ ଭିଲେଜ’ ପରିକଳ୍ପନାରେ ସାମ୍ୱାଦିକତା ନିୟୋଜିତ । ଏତାଦୃଶ ଦାୟିତ୍ୱ ବହନରେ ସମ୍ୱାଦମଞ୍ଚର ମାଲିକାନା ଗୁରୁତ୍ୱ ବହନ କରିଥାଏ ।


 

ସମ୍ୱାଦପତ୍ରର ବିକାଶ ଶିଳ୍ପ ସଭ୍ୟତାର ଅଂଶବିଶେଷ । ଗଣତାନ୍ତ୍ରିକ ଶାସନ ପଦ୍ଧତି ପ୍ରଚଳନରେ ସାମ୍ୱାଦିକତାର ଭୂମିକା ସ୍ୱୀକୃତ । ସାଧାରଣ ଜୀବନରେ ଅଂଶ ଗ୍ରହଣ ନିମନ୍ତେ ବ୍ୟକ୍ତି ସମାଜର ପାରିପାର୍ଶ୍ୱିକ ଘଟଣାକ୍ରମ ସଂପର୍କରେ ଅବଗତ ହେବାକୁ ପ୍ରାଥମିକତା ଦିଏ । ରାଜନୀତିକସ୍ତରରେ ଏହା ମୌଳିକ ଅଧିକାର ଏବଂ ସ୍ଥାନୀୟ ସମ୍ୱାଦମଞ୍ଚଗୁଡ଼ିକ ସମ୍ୱାଦ ସରବରାହର ଦାୟିତ୍ୱ ନିର୍ବାହ କରିଥାନ୍ତି । ସାମଗ୍ରିକଭାବେ ସାମ୍ୱାଦିକତା ଜନଜୀବନକୁ କେତେକ ଦିଗରୁ ନିୟନ୍ତ୍ରିତ କରିଥାଏ ।


 

ଶିଳ୍ପ ସଭ୍ୟତା ପରିପ୍ରକାଶ ପୂର୍ବାବସ୍ଥାରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଶାସକମାନେ ଜନସମୁଦାୟରେ ସମ୍ୱାଦ ପ୍ରସାର ନିମନ୍ତେ ଭିନ୍ନ ଭିନ୍ନ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଖ୍ରୀଷ୍ଟପୂର୍ବ ୫୯ ବେଳକୁ ଜୁଲିଅସ ସିଜରଙ୍କ ଶାସନ କାଳରେ ‘ଆକ୍ଟା ଦୁରିନା’ ନାମରେ ଦୈନିକ ପ୍ରସ୍ତର କିମ୍ୱା ଧାତୁ ଫଳକରେ ଲିଖିତ ସମ୍ୱାଦପତ୍ର ସରକାରୀସ୍ତରରେ ପ୍ରସ୍ତୁତ କରାଯାଇ ରୋମର ଜନବହୁଳ ସ୍ଥାନମାନଙ୍କରେ ଟଙ୍ଗା ଯାଉଥିଲା । ଚୀନରେ ୬୧୮ରୁ ୧୯୧୧ ଖ୍ରୀଷ୍ଟାବ୍ଦ ଯାଏଁ ଦୀର୍ଘ ହଜାରେ ବର୍ଷ ଧରି ‘ବୋ’ ନାମରେ ଶାସକଙ୍କ ପକ୍ଷରୁ ପ୍ରସ୍ତୁତ ଏକ ଦୈନିକ ସମ୍ୱାଦପତ୍ର ଉଚ୍ଚପଦସ୍ଥ କର୍ମଚାରୀଙ୍କ ମଧ୍ୟରେ ପ୍ରସାରିତ କରାଯାଉଥିଲା ।


 

ସେହିପରି ୟୁରୋପର ବିଭିନ୍ନ ରାଷ୍ଟ୍ରରେ ସରକାରଙ୍କ ଦ୍ୱାରା ନିଯୁକ୍ତ ଲେଖକମାନେ ସମ୍ୱାଦ ପତ୍ରିକା ପ୍ରସ୍ତୁତ କରି ସମ୍ୱାଦ ଘୋଷକ ‘ନିଉଜ କ୍ରାଏରର୍ସ’ଙ୍କ ଦ୍ୱାରା ଗ୍ରାମ-ସହରର ବଜାର-ହାଟରେ ଶାସନ ଖବର ପଢ଼ି ଶୁଣାଉଥିଲେ । ବ୍ୟବସାୟୀମାନଙ୍କ ଦ୍ୱାରା ଗୋଟିଏ ମଣ୍ଡିର ଦ୍ରବ୍ୟ ମୂଲ୍ୟ ଅନ୍ୟ ମଣ୍ଡିର ବ୍ୟବସାୟୀଙ୍କ ଗହଣରେ ପ୍ରସାର ନିମନ୍ତେ ସମ୍ୱାଦ ପତ୍ରାଂଶ ‘ନିଉଜଲେଟର’ ପ୍ରସ୍ତୁତି ଓ ପ୍ରସାରଣର ବ୍ୟବସ୍ଥା ରହିଥିଲା । ଷଷ୍ଠଦଶ ଶତାଦ୍ଦୀ ବେଳକୁ ମୁଦ୍ରଣ କଳାକୌଶଳ ପ୍ରସାର ପରେ ଏକକ ବିଷୟରେ ବିସ୍ତୃତ ବିବରଣୀ ସମ୍ୱାଦ ପୁସ୍ତିକା ‘ନିଉଜ ବୁକ୍ସ’ ଆକାରରେ ସମ୍ୱାଦପତ୍ରର ମୌଳିକ ରୂପ ଉନ୍ମେଷ ହୋଇଥିଲା ।


 

ସମ୍ୱାଦପତ୍ର ବିକାଶରେ ଗଣତାନ୍ତ୍ରିକ ଶାସନ ପଦ୍ଧତି ପରକୁ ବୈଷୟିକ ପ୍ରଗତି ଅନ୍ୟତମ ପ୍ରଭାବଶାଳୀ ଭୂମିକା ନିର୍ବାହ କରିଆସିଛି । ମୁଦ୍ରଣ ଯନ୍ତ୍ରର ପ୍ରସାର ସହ ସମ୍ୱାଦପତ୍ରର ଲୋକପ୍ରିୟତା ଯୋଡ଼ି ହୋଇରହିଥିବା ସ୍ଥଳେ ଲଣ୍ଡନରେ ୧୮୧୪ରେ ବାଷ୍ପଚାଳିତ ସ୍ୱୟଂକ୍ରିୟ ‘ଡ଼ବଲ ପ୍ରେସ’ ପ୍ରଚଳନ ଫଳରେ ଘଣ୍ଟାକୁ ପାଞ୍ଚହଜାର କିତା ମୁଦ୍ରଣ ସଂଭବ ହୋଇପାରିଥିଲା । ସେହିପରି ଶିଶା ଅକ୍ଷର ହାତରେ ଯୋଡ଼େଇ ବଦଳରେ ନ୍ୟୂୟର୍କରେ ୧୮୬୬ରେ ‘ଲାଇନୋଟାଇପ’ ଯନ୍ତ୍ର ବ୍ୟବହାର ସମ୍ୱାଦ ପ୍ରକାଶନକୁ ପାଞ୍ଚ ଗୁଣ ଯାଏଁ କ୍ଷୀପ୍ର କରିପାରିଥିଲା ।


 

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଉଭୟ ଗଣତାନ୍ତ୍ରିକ ଶାସନ ପଦ୍ଧତି ଓ ସମ୍ୱାଦପତ୍ର ଶିଳ୍ପର ବ୍ୟାପକ ପ୍ରସାର ଘଟିଥିଲା । ସମତାଳରେ ଉନ୍ନତ ଯୋଗାଯୋଗ ଓ ପରିବହନ କ୍ଷେତ୍ରରେ ପ୍ରଗତି ସମ୍ୱାଦ ମଞ୍ଚକୁ ଶକ୍ତିଶାଳୀ କରିଥିଲା । ବାଣିଜ୍ୟ ବ୍ୟବସାୟରେ କ୍ରମୋନ୍ନତି ବିଜ୍ଞାପନ ବ୍ୟୟ ବୃଦ୍ଧିରେ ପ୍ରତିଫଳିତ ହେବା ଅବସରରେ ସମ୍ୱାଦ ମଞ୍ଚ ବିଜ୍ଞାପନ-ଆଶ୍ରିତ ବ୍ୟବସାୟ ମଡ଼େଲରେ ସମୃଦ୍ଧ ହୋଇପାରିଥିଲା । ଅବଶ୍ୟ ବିଂଶ ଶତାଦ୍ଦୀ ଶେଷ ଦଶକରେ ଡିଜିଟାଲ ମଞ୍ଚର ବିକାଶ ଓ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ବିଜ୍ଞାପନ ଆୟ ହ୍ରାସ ନୂତନ ସମୀକରଣ ସୃଷ୍ଟି କରିଛି ।


 

ସାଂବାଦିକତା ବିକାଶର ସୁଦୀର୍ଘ ଇତିହାସରେ ସମ୍ୱାଦ ମଞ୍ଚଗୁଡ଼ିକର ମାଲିକନା ସମ୍ପାଦକୀୟ ନୀତି ନିର୍ଦ୍ଧାରଣକୁ ପ୍ରଭାବିତ କରୁଥିବା ସୁସ୍ୱଷ୍ଟ । ସମ୍ପାଦକୀୟ ନୀତି ଶାସକ-କେନ୍ଦ୍ରୀକ ହେଲେ ସାମ୍ୱାଦିକତା ଜନ-ସମର୍ଥନ ହରାଇ ବସେ । ସମ୍ୱାଦ ମଞ୍ଚଗୁଡ଼ିକ ବିଭିନ୍ନ କାରଣରୁ ଶାସକ ଅନୁକୂଳ ମନୋଭାବର ବଶବର୍ତ୍ତୀ ହୋଇଥାନ୍ତି । ଏକ ପକ୍ଷରେ ଶାସକଙ୍କ ପକ୍ଷରୁ ସମ୍ୱାଦ ମଞ୍ଚ ନିବେଦନ ‘ସ୍ପୋନସର’ କରାଯାଉଥିବା ସ୍ଥଳେ ଅପରପକ୍ଷେ ଶାସକଙ୍କ କୃପା ଲାଭ ଉଦ୍ଦେଶ୍ୟରେ ସମ୍ୱାଦ ମଞ୍ଚ ପକ୍ଷରୁ ଉଦ୍ୟମ କରାଯାଇଥାଏ । ଉଭୟ କ୍ଷେତ୍ରରେ ସାମ୍ୱାଦିକତାର ମୂଳ ଲକ୍ଷ୍ୟ ପ୍ରତିହତ ହୁଏ ।


 

ମହାମାରୀ-ପୂର୍ବାବସ୍ଥାରେ ଆନ୍ତର୍ଜାତିକ ଫରାସୀ ସମ୍ୱାଦ ସମୀକ୍ଷା ପ୍ରତିଷ୍ଠାନ ‘ରିପୋର୍ଟରସ ଉଇଦାଉଟ ବୋଡ଼ର୍ସ’ ପକ୍ଷରୁ ‘ମିଡ଼ିଆ ଓନରସିପ ମନିଟର’ ଶୀର୍ଷକ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ୨୦୧୮ରେ ଆହୂତ ଏହି ଅଧ୍ୟୟନର ବିବରଣୀ ୨୦୧୯ରେ ପ୍ରକାଶିତ ହୋଇଥିଲା । ଏଥିରୁ ଜଣାଯାଇଥିଲା ଯେ ଭାରତର ଆଞ୍ଚଳିକ ସମ୍ୱାଦ ପରିବେଷଣ ପରିବେଶ କତିପୟ ଗଣମାଧ୍ୟମ ନିବେଶକଙ୍କ ଦ୍ୱାରା ପରିଚାଳିତ । ସମ୍ୱାଦପତ୍ର, ସମ୍ୱାଦ ଟେଲିଭିଜନ ଓ ଡ଼ିଜିଟାଲ ସମ୍ୱାଦ ପୋର୍ଟାଲର ସଂଖ୍ୟା ଅଧିକ ଥିଲେ ହେଁ ସମ୍ୱାଦ ଉପଭୋକ୍ତାମାନେ ମାତ୍ର କେତେଗୋଟି ନିର୍ବାଚ଼ିତ ମଞ୍ଚରୁ ସମ୍ୱାଦ ଆହରଣ କରିଥାନ୍ତି । ଫଳରେ ସଂପୃକ୍ତ ମଞ୍ଚଗୁଡ଼ିକର ଅଳ୍ପ ସଂଖ୍ୟକ ମାଲିକଙ୍କ କର୍ତ୍ତୃତ୍ୱ ବିସ୍ତୃତ ଜନସଂଖ୍ୟା ଉପରେ ବଳବତ୍ତର ରହେ ।


 

ହିସାବ ଅନୁଯାୟୀ ୨୦୧୮ରେ ଭାରତରେ ଏକ ଲକ୍ଷ ଅଠର ହଜାର ରେଜିଷ୍ଟ୍ରିଭୁକ୍ତ ପତ୍ରପତ୍ରିକା, ୩୮୦ ଗୋଟି ସମ୍ୱାଦଭିତ୍ତିକ ସମେତ ୮୮୦ ଗୋଟି ଉପଗ୍ରହ ଟେଲିଭିଜନ ଚ୍ୟାନେଲ ଏବଂ ୫୫୦ ଗୋଟି ଏଫଏମ ରେଡ଼ିଓ ଷ୍ଟେସନ ରହିଥିଲା । ‘ମିଡ଼ିଆ ଓନରସିପ ମନିଟର’ ପକ୍ଷରୁ ୫୮ ଗୋଟି ଆଗଧାଡ଼ିର ସମ୍ୱାଦ ମଞ୍ଚ ଅଧ୍ୟାୟନରୁ ଜଣାଯାଇଥିଲା ଯେ ହିନ୍ଦି ଭାଷାଭାଷୀ ଅଞ୍ଚଳରେ ୭୬ ପ୍ରତିଶତ ସମ୍ୱାଦ ଉପଭୋକ୍ତା ଦୈନିକ ଜାଗରଣ, ହିନ୍ଦୁସ୍ଥାନ, ଅମର ଉଜାଲା ଓ ଦୈନିକ ଭାସ୍କର ଚାରିଗୋଟି ବୃହତ ପ୍ରକାଶକଙ୍କ ଉପରେ ନିର୍ଭରଶୀଳ ।


 

ସେହିପରି ତାମିଲ ଭାଷାଭାଷୀଙ୍କ ମଧ୍ୟରେ ଦୁଇ ତୃତୀୟାଂଶ ଦୁଇଗୋଟି ସମ୍ୱାଦପତ୍ର ଏବଂ ତେଲୁଗୁ ଭାଷାଭାଷୀଙ୍କ ମଧ୍ୟରେ ୭୧ ପ୍ରତିଶତ ପାଠକ ଇନାଡୁ ଓ ସାକ୍ଷୀ ସମ୍ୱାଦମଞ୍ଚ ଅନୁସରଣ କରିଥାନ୍ତି । ଓଡ଼ିଆ ସମେତ ବଙ୍ଗଳା, ଆସାମୀୟ, ପଞ୍ଜାବୀ, କନ୍ନଡ଼, ମରାଠୀ, ଗୁଜରାଟୀ ଓ ଉର୍ଦ୍ଦୁ ଭାଷାଭାଷୀଙ୍କ ମଧ୍ୟରେ ପାଠକ ସଂଖ୍ୟା କେବଳ କେତେଗୋଟି ମଞ୍ଚରେ ସୀମିତ । ଓଡ଼ିଆରେ ସତୁରିରୁ ଅଧିକ ଦୈନିକ ସମ୍ୱାଦପତ୍ର ପ୍ରକାଶିତ ହେଉଥିଲେହେଁ ବଜାରରେ ଦଶରୁ ଅଧିକ ଶୀର୍ଷକ ନଜରକୁ ଆସେ ନାହିଁ । ସେଥିମଧ୍ୟରୁ ପାଞ୍ଚଗୋଟି ପାଠକ ସଂଖ୍ୟାର ଅଧିକାଂଶ ଅକ୍ତିଆର କରିଥାନ୍ତି ।


 

ଭାରତର ଆଞ୍ଚଳିକ ଭାଷାଗୁଡ଼ିକର ସମ୍ୱାଦପତ୍ର ମଧ୍ୟରେ ହାରାହାରି ପ୍ରସାରରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରୁଥିବା ଦୁଇଗୋଟି ସମ୍ୱାଦପତ୍ର ସଂପୃକ୍ତ ଭାଷାଭାଷୀ ପଠକଙ୍କ ମଧ୍ୟରୁ ଅର୍ଦ୍ଧେକ ଦାବୀ କରୁଥିବା ‘ମିଡ଼ିଆ ଓନରସିପ ମନିଟର’ ଅଧ୍ୟୟନରୁ ସୁସ୍ପଷ୍ଟ । ଅର୍ଥାତ ସଂପୃକ୍ତ ମଞ୍ଚର ମାଲିକମାନେ ସ୍ଥାନୀୟ ରାଜନୀତି, ପ୍ରଶାସନ, ବ୍ୟବସାୟ, ସାମାଜିକ ଓ ସାଂସ୍କୃତିକ ପରିବେଶ ପ୍ରଭାବିତ କରିବା ସୁଯୋଗ ପାଇଥାନ୍ତି । ଅଧ୍ୟୟନରୁ ଏହା ମଧ୍ୟ ଜଣାଯାଇଛି ଯେ ଅଧିକାଂଶ ଆଞ୍ଚଳିକ ସମ୍ୱାଦ ମଞ୍ଚ ବ୍ୟବସାୟ ମାଲିକାନା ପାରିବାରିକ ସମ୍ପତ୍ତି ।


 

ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ଚରିତାର୍ଥରେ ସମ୍ୱାଦ ମଞ୍ଚ ସହାୟକ ହୋଇଥାଏ । ଗଣତାନ୍ତ୍ରିକ ଶାସନଧାରାରେ ସର୍ବସାଧାରଣଙ୍କ ଯୋଗଦାନ, ମାନବିକ ଅଧିକାର ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ପ୍ରବାହ ନିୟନ୍ତ୍ରଣରେ ସମ୍ୱାଦ ମଞ୍ଚର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ସମ୍ୱାଦ ମଞ୍ଚଗୁଡ଼ିକ ସାମୂହିକ ସ୍ୱାର୍ଥ ରକ୍ଷାରେ ନିୟୋଜିତ ହେବା ଆବଶ୍ୟକ । ତେବେ ସମ୍ୱାଦ ମଞ୍ଚଗୁଡ଼ିକ ବ୍ୟାବସାୟିକ ପ୍ରତିଷ୍ଠାନ ରୂପେ ବିକଶିତ ହେଉଥିବା ହେତୁ ସଂପୃକ୍ତ ବ୍ୟବସାୟର ନିବେଶକଗଣ ଜନସ୍ୱାର୍ଥ ବଦଳରେ ବ୍ୟାବସାୟିକ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ସ୍ୱାଭାବିକ । ସାମ୍ୱାଧାନିକ ବିଧି ବ୍ୟବସ୍ଥାରେ ସମ୍ୱାଦ ମଞ୍ଚକୁ ବ୍ୟାବସାୟିକ ମାଲିକାନାରୁ କ୍ଷାନ୍ତ କରିବା ଅସଂଭବ ।


 

ଏହି ପରିପ୍ରେକ୍ଷୀରେ ଅଣ-ବ୍ୟାବସାୟିକ ସମ୍ୱାଦ ମଞ୍ଚ ବିକାଶ ଏକମାତ୍ର ବିକଳ୍ପ । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକା ସମେତ ବିଶ୍ୱର କେତେକ ରାଷ୍ଟ୍ରରେ ଅଣ-ବ୍ୟାବସାୟିକ ସମ୍ୱାଦ ମଞ୍ଚ ମୁଣ୍ଡ ଟେକିଛି । ଏହି ମଡ଼େଲର କାର୍ଯ୍ୟକାରିତା ନିମନ୍ତେ ମହାମାରୀ-ପର ଅବସ୍ଥାରେ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲେହେଁ ଏଦିଗରେ ଅଗ୍ରଗତି ସମୟ କହିବ ।              


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଫେବୃୟାରୀ ୨୦୨୨


ତଥ୍ୟ:


 

Media ownership monitor: Who owns the media in India. May 29, 2019


 

https://rsf.org/en/news/media-ownership-monitor-who-owns-media-india


 

History of publishing – Newspaper publishing.


 

https://www.britannica.com/topic/publishing/Newspaper-publishing

ସାମ୍ୱାଦିକତା ଅନୁଭବ

ବିଶ୍ୱବ୍ୟାପୀ ଗଣମାଧ୍ୟମର ଡ଼ିଜିଟାଲ ରୂପାନ୍ତର, ପାରମ୍ପରିକ ବିଜ୍ଞାପନ-ଆଶ୍ରିତ ବ୍ୟାବସାୟିକ ମଡ଼େଲର କ୍ରମଶଃ ବିଲୟ ଓ ୨୦୦୮ରୁ  ତେର ବର୍ଷ ଧରି ଅର୍ଥନୀତିରେ ମାନ୍ଦାବସ୍ଥା ମହାମାରୀ-ପର ପରିବେଶରେ ସାମ୍ୱାଦିକତା ପ୍ରତି ଆହ୍ୱାନ ସୃଷ୍ଟି କରିଛି । ଏଥି ସହିତ ଅସତ୍ୟ ସମ୍ୱାଦ ପ୍ରସାର ଓ ଉପଭୋକ୍ତାଙ୍କ ପରିବର୍ତ୍ତିତ ଆଚରଣ ସାମ୍ୱାଦିକଙ୍କ ବୃତ୍ତିଗତ ଜୀବନକୁ ଗଭୀର ପ୍ରଭାବିତ କରୁଥିବା ପରିଲକ୍ଷିତ । ଏହିଭଳି କାରଣରୁ ୨୦୨୨ ମଧ୍ୟଭାଗ ସୁଦ୍ଧା ସାମ୍ୱାଦିକତା ଅନୁଭବ ଅନୁଶୀଳନର ଗୁରୁତ୍ୱ ଅନୁଭୂତ ହୋଇଥାଏ ।

 

ଯୁକ୍ତରାଷ୍ଟ୍ର ଆମେରିକାର ‘ପିଉ ରିସର୍ଚ୍ଚ ସେଣ୍ଟର’ ସାମୟିକଭାବେ ସେଠାକାର ସାମ୍ୱାଦିକତା ସଂପର୍କରେ ଗବେଷଣା ଆୟୋଜନ କରିଥାଏ । ସଂସ୍ଥାପକ୍ଷରୁ ୨୦୨୨ ଫେବୃୟାରୀ ୧୬ରୁ ମାର୍ଚ୍ଚ ୧୭ ମାସେକାଳ ଅନୁଷ୍ଠିତ ସର୍ବେକ୍ଷଣରେ ବାର ହଜାର ମାର୍କିନ ସାମ୍ୱାଦିକ ଅଂଶ ଗ୍ରହଣ କରିଥିଲେ । ସଂଗୃହୀତ ତଥ୍ୟାବଳୀର ନିଷ୍କର୍ଷ ଜୁନ ୨୦୨୨ରେ ପ୍ରକାଶିତ ହୋଇଥିଲା । ଏଥିରେ ମୁଖ୍ୟତଃ ଗଣମାଧ୍ୟମର ସ୍ୱାଧୀନତା, ଅସତ୍ୟ ସମ୍ୱାଦ ପ୍ରସାର, ରାଜନୀତିକ ମତବାଦ ବିଭାଜନ ବା ଧ୍ରୁବଣ ‘ପଲଟିକାଲ ପୋଲରାଇଜେସନ’ ଏବଂ ସୋସିଆଲ ମିଡ଼ିଆର ପ୍ରଭାବ ସଂପର୍କରେ କାର୍ଯ୍ୟରତ ସାମ୍ୱାଦିକଙ୍କ ଦୃଷ୍ଟିକୋଣ ପରିମାପ ନିମନ୍ତେ ଉଦ୍ୟମ କରାଯାଇଥିଲା ।

 

ସାମ୍ୱାଦିକତାରେ ଉତ୍କର୍ଷ ପ୍ରତିପାଦନ ନିମନ୍ତେ ସାମ୍ୱାଦିକମାନେ ଦୈନନ୍ଦିନ ଭିତ୍ତିରେ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଆଧାରରେ ସମ୍ୱାଦ ପ୍ରସ୍ତୁତ କରୁଛନ୍ତି କି ? ସମ୍ୱାଦ ରଚନାରେ ସତ୍ୟତା ପରଖିବା ପ୍ରତି ଦୃଷ୍ଟି ଦିଆଯାଉଛି କି ? ଶାସନତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚ଼ିତ ପ୍ରତିନିଧିଙ୍କ କାର୍ଯ୍ୟଧାରା ସମୀକ୍ଷା କରାଯାଉଛି କି ? ଅବହେଳିତବର୍ଗଙ୍କ ଅଭାବ ଅଭିଯୋଗ ସ୍ୱର ପ୍ରତିବିମ୍ୱିତ ଓ ଅସତ୍ୟ ସମ୍ୱାଦର ପର୍ଦ୍ଦାଫାଶ କରିପାରୁଛନ୍ତି କି... ଇତ୍ୟାଦି ପ୍ରଶ୍ନର ଉତ୍ତର ସଂଗ୍ରହ ଅବସରରେ ସାମ୍ୱାଦିକମାନଙ୍କ ମଧ୍ୟରୁ ତିନି ଚ଼ତୁର୍ଥାଂଶ ସମ୍ୱାଦିକତା ବୃତ୍ତିର ସକାରାତ୍ମକ ଦିଗକୁ ସମର୍ଥନ କରିଥିବା ଜଣାଯାଇଥିଲା ।

 

ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୨୨ ଆରମ୍ଭରେ ୭୫ ପ୍ରତିଶତ ସାମ୍ୱାଦିକ ନିଜ ବୃତ୍ତି ପ୍ରତି ଗର୍ବାନ୍ୱିତ ଥିବା, ୭୭ ପ୍ରତିଶତ ସାମ୍ୱାଦିକତା ବୃତ୍ତିରେ ଭବିଷ୍ୟତରେ ନିୟୋଜିତ ରହିବା ନିମନ୍ତେ ନିଶ୍ଚିତ ଏବଂ ୭୦ ପ୍ରତିଶତ ନିଜ କାର୍ଯ୍ୟଧାରାରେ ସନ୍ତୁଷ୍ଟ ଥିବା ସ୍ୱୀକାର କରିଥିଲେ । ଅପରପକ୍ଷେ ୫୭ ପ୍ରତିଶତ ଭବିଷ୍ୟତରେ ଗଣମାଧ୍ୟମର ସ୍ୱାଧୀନତା ହାନୀ ଆଶଙ୍କା କରୁଥିବା ସ୍ଥଳେ ୭୧ ପ୍ରତିଶତ ଅସତ୍ୟ ଓ ପ୍ରାୟୋଜିତ ସମ୍ୱାଦ ପ୍ରସାରରେ ଅସନ୍ତୋଷ ପ୍ରକାଶ କରୁଥିବା ଜଣାଯାଇଥିଲା । ସର୍ବେକ୍ଷଣରେ ସଂଗୃହୀତ ତଥ୍ୟାବଳୀରୁ ପ୍ରତ୍ୟୟମାନ ହୁଏ ଯେ ସେଠାକାର ସାମ୍ୱାଦିକମାନେ ସମକାଳରେ ସମ୍ୱାଦ ପରିଧିରେ ସୃଷ୍ଟ ସମସ୍ୟାଗୁଡ଼ିକ ସଂପର୍କରେ ଉଦବେଗ ପ୍ରକାଶ କରୁଥିଲେ ହେଁ ମୋଟା ମୋଟି ଭାବେ ସାମ୍ୱାଦିକତା ବୃତ୍ତିରେ ନିୟୋଜିତ ରହିବାରେ ବଦ୍ଧପରିକର ।

 

ସାଂବାଦିକତା ବୃତ୍ତି ନିର୍ବାହରେ ଅସତ୍ୟ ଓ ଭୂଲ ତଥ୍ୟ ପ୍ରସାର ସମସ୍ୟା ସୃଷ୍ଟି କରୁଥିବା ମାର୍କିନ ସାମ୍ୱାଦିକମାନେ ପ୍ରକାଶ କରିଥିଲେ । ସମ୍ୱାଦ ରଚନା କାଳରେ ଏହିଭଳି ଉପାଦାନ ସଂସ୍ପର୍ଶରେ ଆସିଲେ ଅଧିକାଂଶ ସଜାଗ ହୋଇ ପ୍ରତ୍ୟାଖ୍ୟାନ କରିବା କ୍ଷମତା ଅଧିକାରୀ ହୋଇଥିଲେହେଁ କେତେକ କ୍ଷେତ୍ରରେ ପ୍ରଭାବିତ ହୋଇପଡ଼ନ୍ତି । ପ୍ରାୟ ୨୬ ପ୍ରତିଶତ ସାମ୍ୱାଦିକ ନିଜ ଅଜାଣତରେ ଅସତ୍ୟ ଓ ଭୂଲ ତଥ୍ୟ ବ୍ୟବହାର କରିଥିବା ସ୍ୱୀକାର କରିଥାନ୍ତି ।

 

ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମିଥ୍ୟା କିମ୍ୱା ସନ୍ଦେହଜନକ ବିବୃତ୍ତି ପ୍ରଦାନ କାଳରେ ୩୨ ପ୍ରତିଶତ ସାମ୍ୱାଦିକ ନିଜ ରଚନାରେ ସ୍ଥାନ ଦେଇନଥାନ୍ତି । ତେବେ ୬୪ ପ୍ରତିଶତ ଯାଏଁ ସାମ୍ୱାଦିକ ସମ୍ୱାଦରେ ଅନ୍ତର୍ଭୁକ୍ତ କରିଥାନ୍ତି । ବିବୃତ୍ତି ମିଥ୍ୟା ହୋଇଥିଲେହେଁ ଜନସାଧାରଣଙ୍କ ନିକଟରେ ପହୁଞ୍ଚାଇବା ସାମ୍ୱାଦିକଙ୍କ କର୍ତ୍ତବ୍ୟ ବୋଲି ବହୁ ସଂଖ୍ୟକ ଧରି ନେଇଥାନ୍ତି ।

 

କୌଣସି ବିଷୟରେ ପରସ୍ପର ବିରୋଧୀ ମତବାଦକୁ ସମମାତ୍ରାରେ ପ୍ରକାଶନର ସୁଯୋଗ ସୃଷ୍ଟି ପ୍ରଚଳିତ ଧାରା । ତେବେ ୪୪ ପ୍ରତିଶତ ଏହାର ସପକ୍ଷରେ ମତ ରଖିଥିବା ସ୍ଥଳେ ୫୫ ପ୍ରତିଶତ ସାମ୍ୱାଦିକ ସମସ୍ତ କ୍ଷେତ୍ରରେ ଏହି ନିୟମ ଲାଗୁ କରିବାକୁ ବିରୋଧ କରିଥାନ୍ତି ।

 

ସମ୍ୱାଦ ରଚ଼ନା କାଳରେ ସାମ୍ୱାଦିକମାନେ ନିଜ ବ୍ୟକ୍ତିଗତ ଦୃଷ୍ଟିକୋଣ ପ୍ରତିପାଦିତ ନକିରବା ଲାଗି ୮୨ ପ୍ରତିଶତ ସାମ୍ୱାଦିକ ମତ ରଖିଥାନ୍ତି । ତେବେ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ସମ୍ୱାଦରେ ନିଜ ଅଭିମତ ପ୍ରକାଶନରେ ବିରତ ରହୁଥିବା ୫୫ ପ୍ରତିଶତ ସାମ୍ୱାଦିକ ସୂଚ଼ିତ କରୁଥିବା ସ୍ଥଳେ ୩୪ ପ୍ରତିଶତ ସାମ୍ୱାଦିକ ସବୁ କ୍ଷେତ୍ରରେ ସମ୍ଭବ ହୋଇପାରୁନଥିବା ଅଭିଯୋଗ ଆଣିଥାନ୍ତି ।

 

ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ସାମ୍ୱାଦିକତା ପ୍ରତି ଜନସାଧାରଣଙ୍କ ବିଶ୍ୱାସ କ୍ରମଶଃ କମି ଆସୁଥିବା ଧାରା ସଂପର୍କରେ ମାର୍କିନ ସାମ୍ୱାଦିକମାନେ ସଚ଼େତନ । ମାତ୍ର ୧୪ ପ୍ରତିଶତ ସାମ୍ୱାଦିକ ସମ୍ୱାଦ ମଞ୍ଚଗୁଡ଼ିକ ଉପରେ ଜନସାଧାରଣ ପୂର୍ଣ୍ଣ ଭରସା ରଖୁଥିବା ବିଶ୍ୱାସ କରୁଥିବା ବେଳେ ୪୨ ପ୍ରତିଶତ ବିଶ୍ୱାସ ହରାଇଥିବା ଏବଂ ୪୪ ପ୍ରତିଶତ କେତେକାଂଶରେ ବିଶ୍ୱାସଯୋଗ୍ୟ ପ୍ରମାଣିତ ହେଉଥିବା ଦର୍ଶାଇଥିଲେ । ଅବଶ୍ୟ ସାମ୍ୱାଦିକତାର ବିଶ୍ୱସନୀୟତା ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ମତ ସଂଗ୍ରହ କାଳରେ ୪୪ ପ୍ରତିଶତ ବିଶ୍ୱାସ ହରାଇଥିବା, ୨୭ ପ୍ରତିଶତ ସାମାନ୍ୟ ରୂପେ ବିଶ୍ୱାସ କରୁଥିବା ଏବଂ ୨୯ ପ୍ରତିଶତ ପୂର୍ଣ୍ଣ ବିଶ୍ୱାସ କରୁଥିବା ସ୍ୱୀକାର କରିଥିଲେ ।

 

ଆଲୋଚ଼୍ୟ ଗବେଷଣାରୁ ଜଣାଯାଇଛି ଯେ ସାମ୍ୱାଦିକତା ବୃତ୍ତିରେ ଟେଲିଭିଜନ ମଞ୍ଚର ସାମ୍ୱାଦିକମାନେ ଅନ୍ୟାନ୍ୟ ଗଣମାଧ୍ୟମ ମଞ୍ଚ ତୁଳନାରେ ଅସୁଖୀ । ମୁଦ୍ରଣ ମଞ୍ଚରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କ ମଧ୍ୟରୁ ୫୨ ପ୍ରତିଶତ, ଅନଲାଇନ ମଞ୍ଚରେ ୫୪ ପ୍ରତିଶତ ଓ ରେଡ଼ିଓ ମଞ୍ଚରେ ୪୮ ପ୍ରତିଶତ ନିଜ ବୃତ୍ତିଗତ ସାମ୍ୱାଦିକତା ଜୀବନରେ ସନ୍ତୁଷ୍ଟ ଥିବା ସ୍ଥଳେ ଟେଲିଭିଜନ ମଞ୍ଚର ମାତ୍ର ୩୪ ପ୍ରତିଶତ ସନ୍ତୋଷ ବ୍ୟକ୍ତ କରିଥାନ୍ତି । ଟେଲିଭିଜନ ମଞ୍ଚର ସାମ୍ୱାଦିକମାନେ ନିଜ କାର୍ଯ୍ୟକ୍ଷେତ୍ର ବାହାରେ ଅନ୍ୟମାନଙ୍କ ଆକ୍ରୋଶର ଶୀକାର ହେଉଥିବା ଅଭିଯୋଗ ମଧ୍ୟ ବାଢ଼ିଥାନ୍ତି । ସେମାନଙ୍କ ସଂଖ୍ୟା ପ୍ରାୟ ୫୮ ପ୍ରତିଶତ ହିସାବ କରାଯାଇଛି ।

 

ସାମଗ୍ରିକ ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ କାର୍ଯ୍ୟରତ ପ୍ରତି ଦଶ ଜଣ ସାମ୍ୱାଦିକଙ୍କ ମଧ୍ୟରେ ସାତ ଜଣ ଯାଏଁ ବୃତ୍ତିଗତ ଭାବେ ସନ୍ତୁଷ୍ଟ ଥିବା ସର୍ବେକ୍ଷଣ ତଥ୍ୟ ବିଶ୍ଳେଷଣରୁ ଜଣାଯାଇଛି । ସେମାନଙ୍କ ମଧ୍ୟରେ ୨୭ ପ୍ରତିଶତ ପୂର୍ଣ୍ଣ ସନ୍ତୁଷ୍ଟ ଏବଂ ୪୩ ପ୍ରତିଶତ ଆଂଶିକ ଭାବେ ସନ୍ତୁଷ୍ଟ ଥିବା ହିସାବ କରାଯାଏ । ମାତ୍ର ୨୨ ପ୍ରତିଶତ ଅସନ୍ତୁଷ୍ଟ ରହୁଥିବା ଏବଂ ୮ ପ୍ରତିଶତ କୌଣସି ମନ୍ତବ୍ୟ ଦେବା ନିମନ୍ତେ ଅମଙ୍ଗ ଥିବା ପ୍ରକାଶ ।

 

ସାମ୍ୱାଦିକମାନଙ୍କ ବୃତ୍ତିଗତ ସନ୍ତୋଷ ଅନୁଭବ ମାର୍କିନ ସାମ୍ୱାଦିକତାର ଉଜ୍ଜଳ ଭବିଷ୍ୟତର ସୂଚ଼ନା ଦେଇଥାଏ । ସାମ୍ୱାଦିକତା ଏକ ସୃଜନ କଳା । ଏହା ସାହିତ୍ୟ, ସଙ୍ଗୀତ, ନୃତ୍ୟ, ନାଟକ, ବା କ୍ରୀଡ଼ାଭଳି ରୁଚ଼ି-କେନ୍ଦ୍ରୀକ ସଂପୃକ୍ତି ପର୍ଯ୍ୟାୟଭୁକ୍ତ ହେଉଥିବା ହେତୁ ବ୍ୟାବସାୟିକ ବିଫଳତା ବା ପାରିପାର୍ଶ୍ୱିକ ଦୁରାବସ୍ଥା ସର୍ଜନଶୀଳଙ୍କୁ ନିରୁତ୍ସାହିତ କରିପାରିବ ନାହିଁ । ଯେତେଦିନ ସାମ୍ୱାଦିକତା ପ୍ରତି ଆଗ୍ରହ ବଳବତ୍ତର ରହିଛି ସେତେଦିନ ଯାଏଁ ସମ୍ୱାଦିକତାରେ ଉତ୍କର୍ଷ ବଜାୟ ରହିବା ବିଶ୍ୱାସ କରାଯାଇପାରେ ।

 

ସାମାଜିକ ବ୍ୟବସ୍ଥାରେ ଅସତ୍ୟ ଓ ଭୂଲ ତଥ୍ୟ ପ୍ରତି ସଜାଗ ଥିବା ତଥା ସମ୍ୱାଦ ରଚନା କାଳରେ ବ୍ୟକ୍ତିଗତ ଅଭିମତକୁ ଦୂରେଇ ରଖିବା ସପକ୍ଷରେ ଯୁକ୍ତି ବାଢୁଥିବା ମନୋବୃତ୍ତି ସାମ୍ୱାଦିକତାରେ ଉତ୍କର୍ଷର ପରିଚାୟକ । ସେହିପରି ଜନସାଧାରଣରେ ସମ୍ୱାଦମଞ୍ଚ ବିଶ୍ୱନୀୟତା ହରାଇ ବସୁଥିବା ସଂପର୍କରେ ସାମ୍ୱାଦିକମାନେ ସଚ଼େତନ ଥିବା ହେତୁ ଗଣମାଧ୍ୟମ ପରିଧିରେ ବିଭିନ୍ନ ତୃଟିବିଚ୍ୟୁତିକୁ ସଜାଡ଼ିବାରେ ସମର୍ଥ ହେବା ଆଶା ସଞ୍ଚାର କରିଥାଏ । ସାମ୍ୱାଦିକମାନଙ୍କ ସାମ୍ୱାଦିକତା ଅନୁଭବ ସଂପର୍କରେ ପ୍ରମାଣଭିତ୍ତିକ ତଥ୍ୟ ସଂଗ୍ରହ ସାମ୍ୱାଦିକତା ବୃତ୍ତିଧାରୀଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ । ବ୍ୟକ୍ତିଗତ ଓ ସାମୂହିକସ୍ତରରେ ନୀତି ନିର୍ଦ୍ଧାରଣ ନିମନ୍ତେ ଏହିଭଳି ଗବେଷଣା ସହାୟକ ହୋଇଥାଏ ।               


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୪ ଜୁନ ୨୦୨୨


ତଥ୍ୟ:


 

Pew Research Centre. U.S. Journalistic turmoil in news industry amid passion for their work

 

https://www.pewresearch.org/journalism/2022/06/14/journalists-sense-turmoil-in-their-industry-amid-continued-passion-for-their-work

ସାମ୍ୱାଦିକର କାର୍ଯ୍ୟଭାର

ବିଶ୍ୱବ୍ୟାପୀ ସାମ୍ୱାଦିକତାର ଗୁଣାତ୍ମକ ଅବକ୍ଷୟ ବିଭିନ୍ନସ୍ତରରେ ଉଦବେଗ ସୃଷ୍ଟି କରିଥିବା ସ୍ଥଳେ ସାମ୍ୱାଦିକଙ୍କ କାର୍ଯ୍ୟଭାର ବୃଦ୍ଧିକୁ ଏହିଭଳି ଦୂରାବସ୍ଥାର ଅନ୍ୟତମ କାରଣ ରୂପେ ଚ଼ିହ୍ନଟ କରାଯାଇଥାଏ । ଭାରତରେ ଗଣମାଧ୍ୟମର ବ୍ୟାପ୍ତି ସହ ସମତାଳଦେଇ ସମ୍ୱାଦମଞ୍ଚଗୁଡ଼ିକର ସଂଖ୍ୟା ବଢ଼ିଚାଲିଛି ଏବଂ ଅଧିକରୁ ଅଧିକ ସାମ୍ୱାଦିକ ସମ୍ୱାଦ ସଂସ୍ଥାଗୁଡ଼ିକରେ ନିଯୁକ୍ତ ହେଉଛନ୍ତି । ତେବେ ବ୍ୟକ୍ତିଗତସ୍ତରରେ ସାମ୍ୱାଦିକମାନଙ୍କ କାର୍ଯ୍ୟଭାର ବଢୁଛି । ପରିସ୍ଥିତି ଏପରିସ୍ତରରେ ପହଞ୍ଚିଲାଣି ଯେ କାର୍ଯ୍ୟଭାରରେ ଅତିଷ୍ଠ ହୋଇ ବହୁ ପ୍ରତିଭାବାନ ସାମ୍ୱାଦିକ ସାମ୍ୱାଦିକତା ବୃତ୍ତିରୁ ଅବ୍ୟାହତି ନେବା ନିମନ୍ତେ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭ ସୁଦ୍ଧା ଆନୁସଙ୍ଗିକ ବୃତ୍ତି ଅନ୍ୱେଷଣରେ ଥିବା ଲକ୍ଷ୍ୟ କରାଯାଉଛି ।


 

ଓଡ଼ିଶାରେ ବିଂଶ ଶତାଦ୍ଦୀର ଅଷ୍ଟମ ଦଶକରେ ଟେଲିଭିଜନ ପ୍ରସାରଣ ଆରମ୍ଭ ହେବା ପୂର୍ବରୁ ମୁଦ୍ରିତ ଓ ରେଡ଼ିଓ ସାମ୍ୱାଦିକତାର ପରିସର ସୀମିତ ରହିଥିଲା । ଖୁବ କମ ସଂଖ୍ୟକ ସମ୍ୱାଦପତ୍ର ପ୍ରକାଶ ପାଉଥିଲା ଏବଂ ରେଡ଼ିଓ ଷ୍ଟେସନ କାର୍ଯ୍ୟକ୍ଷମ ଥିଲା । ସେଥିରେ ଅତି ଅଳ୍ପ ସଂଖ୍ୟକ ସାମ୍ୱାଦିକ ନିଯୁକ୍ତି ପାଇଥିଲେ । ସମାଜରେ ସାମ୍ୱାଦିକତା ଏକ ଅଭିଜାତ୍ୟପୂର୍ଣ୍ଣ ବୃତ୍ତି ରୂପେ ପରିଗଣିତ ହେଉଥିଲା । ଜରୁରିକାଳୀନ ପରିସ୍ଥିତି ପୂର୍ବରୁ ବହୁଳ ପ୍ରସାରିତ ତିନିଗୋଟି ଓଡ଼ିଆ ଦୈନିକ ସମ୍ୱାଦପତ୍ରର ସମ୍ପାଦନା ବିଭାଗର ଅଧିକାଂଶ ସାମ୍ୱାଦିକ ସକାଳ ଦଶରେ କାର୍ଯ୍ୟାଳୟ ଯାଇ ଅପରାହ୍ନ ତିନି ସୁଦ୍ଧା ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଫେରି ଆସୁଥିଲେ । ପ୍ରକାଶନ ସ୍ଥଳ କଟକ ଭିନ୍ନ ଅନ୍ୟାନ୍ୟ ସହର ଓ ଗ୍ରାମାଞ୍ଚଳର ସାମ୍ୱାଦିକ ଫୁରୁସତରେ ସମ୍ୱାଦ ଲେଖି ଡ଼ାକଯୋଗେ ପଠାଉଥିଲେ । ଅତି ଗୁରୁତ୍ୱପୂର୍ଣ୍ଣ ସମ୍ୱାଦଗୁଡ଼ିକ ଟେଲିଫୋନରେ ଡାକୁଥିଲେ ବା କାଁ ଭାଁ ଟେଲିଗ୍ରାମ ଯୋଗେ ପ୍ରେରଣ କରୁଥିଲେ ।


 

ଦେଶରେ ୧୯୭୫ରୁ ୭୭ ଜରୁରିକାଳୀନ ପରିସ୍ଥିତି ଜାରୀ-ପର ଅବସ୍ଥାରେ ରାଷ୍ଟ୍ରୀୟସ୍ତରରେ ସାଂବାଦିକତା କ୍ଷେତ୍ରରେ ବିପୁଳ ପରିବର୍ତ୍ତନ ସଂଗଠିତ ହୋଇଥିଲା । ସମ୍ୱାଦମଞ୍ଚ ସାଙ୍ଗକୁ ବୃତ୍ତିଧାରୀ ସାମ୍ୱାଦିକଙ୍କ ସଂଖ୍ୟା ବୃଦ୍ଧି ଦେଖିବାକୁ ମିଳିଥିଲା । ଏହି ପରିବର୍ତ୍ତନରେ ପାଞ୍ଚ ବର୍ଷ ପରେ ୮୪ ବେଳକୁ ଓଡ଼ିଆ ସାମ୍ୱାଦିକତା ସାମିଲ ହେଲା । ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ଦୈନିକ ସଂସ୍କରଣ ଓ ପୃଷ୍ଠା ସଂଖ୍ୟା ବୃଦ୍ଧି, ଆଧୁନିକ ମୁଦ୍ରଣ ବୈଷୟିକ କୌଶଳ ଉପଯୋଗ ତଥା ସାମ୍ୱାଦିକମାନଙ୍କୁ କେତେକାଂଶରେ ଅଣ-ସାମ୍ୱାଦିକତା କାର୍ଯ୍ୟରେ ନିୟୋଜନ ଫଳରେ କ୍ରମଶଃ ସାମ୍ୱାଦିକଙ୍କ ଦୈନନ୍ଦିନ କାର୍ଯ୍ୟଭାର ବଢ଼ିଚାଲିଲା ।


 

ବିଂଶ ଶତାଦ୍ଦୀର ଶେଷ ଦଶକରେ ଘରୋଇ ଟେଲିଭିଜନ ଚ୍ୟାନେଲ ଆରମ୍ଭ ତଥା ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକରେ ଓଡ଼ିଆ ଭାଷାକୁ ସଂପ୍ରସାରିତ ହେବା ଅବସରରେ ଟେଲିଭିଜନ ସାମ୍ୱାଦିକତା ଏକ ନୂତନ ବର୍ଗରୂପେ ମୁଣ୍ଡ ଟେକିଥିଲା । ସମ୍ୱାଦପତ୍ର ତୁଳନାରେ ଟେଲିଭିଜନରେ ସମ୍ୱାଦ ପ୍ରସାରଣର ଗତି ପ୍ରଖର ଥିବା ହେତୁ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସଂପୃକ୍ତ ସାମ୍ୱାଦିକମାନଙ୍କ କାର୍ଯ୍ୟଭାର ସ୍ୱଭାବତଃ ଅଧିକ । କିନ୍ତୁ ପ୍ରତିଯୋଗୀ ଚ୍ୟାନେଲମାନଙ୍କ ସହ ସମ୍ୱାଦ ପ୍ରସାରଣରେ ମୁକାବିଲା କରିବା ନିମନ୍ତେ ଉଦ୍ୟମ କାର୍ଯ୍ୟଭାର ଆହୁରି ବଢ଼ାଇ ଦିଏ । ଡ଼ିଜିଟାଲ ମିଡ଼ିଆର ଅଭ୍ୟୁଥାନପରେ ତଦ୍ ଅନୁରୂପ ସମସ୍ୟା ଦେଖା ଦେଇଛି । ଫଳରେ ଓଡ଼ିଶାରେ ୧୯୮୪ରେ ନୂତନ ସାମ୍ୱାଦିକତା ପ୍ରବର୍ତ୍ତିତ ହେବା ପୂର୍ବରୁ ସାମ୍ୱାଦିକତା ବୃତ୍ତିରେ ଉପଲବ୍ଧ ଶାନ୍ତ ପରିବେଶ କ୍ରମଶଃ ପ୍ରତିଯୋଗିତାକେନ୍ଦ୍ରୀକ ହୋଇ ବ୍ୟସ୍ତବହୁଳ ଦିନଚ଼ର୍ଯ୍ୟାରେ ପର୍ଯ୍ୟବସିତ ।


 

ବିଶ୍ୱବ୍ୟାପୀ ସାମ୍ୱାଦିକତାରେ ‘କୋଭିଡ଼-୧୯’ ମହାମାରୀଜନିତ ପ୍ରଭାବ ସାମ୍ୱାଦିକଙ୍କ କାର୍ଯ୍ୟଭାର ବୃଦ୍ଧିଲାଗି ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତି କରିଥିଲା । ବିଭିନ୍ନ କଟକଣା ହେତୁ ଦୀର୍ଘକାଳ ବ୍ୟାପୀ ସମ୍ୱାଦ ସଂଗ୍ରହ ଓ ପ୍ରସାରଣ ପ୍ରତିହତ ହେବା, ଡିଜିଟାଲ ମଞ୍ଚ ପ୍ରସାରରେ ସମ୍ୱାଦମଞ୍ଚଗୁଡ଼ିକର ବିଜ୍ଞାପନ-ଆଶ୍ରିତ ମଡ଼େଲ ଅକାମୀ ହୋଇପଡ଼ିବା ଏବଂ ସର୍ବୋପରି ସମ୍ୱାଦ ଉପଭୋକ୍ତାମାନଙ୍କ ପରିବର୍ତ୍ତିତ ଆଚ଼ରଣ ହେତୁ ସମ୍ୱାଦ ମଞ୍ଚ ବ୍ୟବସାୟ ବିଘଟନର ସମ୍ମୁଖୀନ ହୋଇଥିଲା । ଫଳରେ ସାମ୍ୱାଦିକମାନଙ୍କୁ ଛଟେଇ କରିଦିଆଯିବା ଫଳରେ କାର୍ଯ୍ୟରତ ସାମ୍ୱାଦିକଙ୍କ କାର୍ଯ୍ୟଭାର ବୃଦ୍ଧି ପାଇବାରେ ଲାଗିଲା । ଆୟହାନୀ, ବ୍ୟାବସାୟିକ ମାନ୍ଦାବସ୍ଥା ଓ ପ୍ରତିଯୋଗୀ ଡ଼ିଜିଟାଲ ମଞ୍ଚର ଆହ୍ୱାନର ସମ୍ମୁଖୀନ ହୋଇଥିବା ବୃତ୍ତିଧାରୀ ସାମ୍ୱାଦିକ କାର୍ଯ୍ୟଭାର ବୃଦ୍ଧିକୁ ନେଇ ଅଭିଯୋଗ କରିବା ସମ୍ଭବ ହୋଇପାରୁନାହିଁ ।


 

ସାମ୍ୱାଦିକର କାର୍ଯ୍ୟଭାର ବୃଦ୍ଧି ତାହାର ସାମ୍ୱାଦିକତା ସୃଜନରେ ପ୍ରତିଫଳିତ ହେଉଥିବା ସୁସ୍ପଷ୍ଟ । ମହାମାରୀ-ପର ଅବସ୍ଥାରେ ଓଡ଼ିଆ ସାମ୍ୱାଦିକତାରେ ଗୁଣାତ୍ମକ ଅଧଃପତନ ନିମନ୍ତେ ବୃତ୍ତିଧାରୀ ସାମ୍ୱାଦିକଙ୍କ କାର୍ଯ୍ୟଭାରକୁ ଦାୟୀ କରାଯାଇପାରେ । ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଚାପଗ୍ରସ୍ତ ସାମ୍ୱାଦିକଙ୍କ ରଚନା ଉଚ୍ଚକୋଟୀ ହେବା ଆଶା କରାଯାଇ ପାରେନା । ମାର୍କିନ ସାଂସ୍କୃତିକ ସମାଜତତ୍ତ୍ୱବିତ ଡେଭିଡ଼ ହେସମଣ୍ଟହାଲ ଓ ସାରା ବେକର ଦର୍ଶାଇଥିଲେ ଯେ ଅବହେଳିତ କାର୍ଯ୍ୟକ୍ଷେତ୍ର ଯଥା ବିରକ୍ତିକର ‘ବୋରିଂ’, ଅନିଶ୍ଚିତ ‘ଇନସିକ୍ୟୁର’, କମ ପାରିତୋଷିକ ‘ପୁରଲି କମ୍ପନସେଟଡ଼’ ପରିବେଶରେ ଉଚ୍ଚମାନର ସୃଜନ ଅଂସଭବ । ତାହାର ବିପରୀତରେ ଆଗ୍ରହ ଉଦ୍ଦୀପକ ‘ଇଣ୍ଡରେଷ୍ଟିଂ’, ନିଶ୍ଚିତ ‘ସିକ୍ୟୁର’, ମୁକ୍ତ ‘ଅଟୋନୋମସ’, ସନ୍ତୋଷଜନକ ପାରିତୋଷିକ ପ୍ରାପ୍ତ ‘ଫେରଲି କମ୍ପନସେଟେଡ଼’ କାର୍ଯ୍ୟକ୍ଷେତ୍ରରେ ଉଚ୍ଚମାନର ସୃଜନ ସଂଭବ ।


 

ସମକାଳୀନ ସମ୍ୱାଦ ମଞ୍ଚ ସୃଜନ ଅନୁଶୀଳନ କଲେ ଓଡ଼ିଶାରେ କେବଳ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ଦୈନିକ ପାଞ୍ଚ ଶହ ପୃଷ୍ଠାରୁ ଉର୍ଦ୍ଧ୍ୱ ବ୍ରଡ଼ସିଟ ସମ୍ୱାଦ ରଚ଼ିତ ଓ ପ୍ରକାଶିତ ହେଉଛି । କିନ୍ତୁ ଏଥି ମଧ୍ୟରୁ କେତେ ସଂଖ୍ୟକ ସମ୍ୱାଦ ଗଣତାନ୍ତ୍ରିକ ମୂଲ୍ୟବୋଧ ରକ୍ଷା ନିମନ୍ତେ ଅଙ୍ଗୀକାରବଦ୍ଧ ତାହା ହିସାବ କଲେ ହତାଶ ହେବାକୁ ପଡ଼ିଥାଏ । ସାମ୍ୱାଦିକ ଦୈନନ୍ଦିନ କାର୍ଯ୍ୟସୂଚ଼ୀ ମୁତାବକ କାର୍ଯ୍ୟ କରି ଥକି ପଡୁଥିବା ସ୍ଥଳେ ସାମ୍ୱାଦିକତାର ବୃହତ୍ତର ମୂଲ୍ୟବୋଧ ପୂରଣ ନିମନ୍ତେ ସମ୍ୱାଦ ସଂକଳନ, ସମ୍ପାଦନା ଓ ପ୍ରକାଶନରୁ କ୍ଷାନ୍ତ ରହିବାକୁ ବାଧ୍ୟ ହୋଇଥାଏ ।


 

ଆନ୍ତର୍ଜାତିକ ପରିସଂଖ୍ୟାନ ସଂସ୍ଥା ‘ଷ୍ଟାଟିଷ୍ଟା’ର ତଥ୍ୟ ଅନୁଯାୟୀ ବିଶ୍ୱବ୍ୟାପୀ ୩୨.୫ ପ୍ରତିଶତ ବୃତ୍ତିଧାରୀ ସାମ୍ୱାଦିକ ସପ୍ତାହରେ ଦଶଗୋଟି ଯାଏଁ ସମ୍ୱାଦ ରଚନା କରିଥାନ୍ତି । ସେମାନଙ୍କ ମଧ୍ୟରୁ ୪୫ ପ୍ରତିଶତ ସାପ୍ତାହିକ ପାଞ୍ଚରୁ ଉର୍ଦ୍ଧ୍ୱ ବିଷୟରେ ସମ୍ୱାଦ ପ୍ରସ୍ତୁତିରେ ସଂପୃକ୍ତ । ଏହି କାର୍ଯ୍ୟଭାର ହେତୁ କୌଣସି ବିଷୟରେ ମୌଳିକ ଗବେଷଣା କରିବା ଅପହଞ୍ଚ ହୋଇପଡ଼େ । ଯୁକ୍ତରାଷ୍ଟ୍ର ଆମେରିକା ରୁଟେଗେର୍ସ ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଅଧ୍ୟାପିକା କାଟଲିନ ପେଟ୍ରେ ‘ଅଲ ଦି ନିଉଜ ଦେଟ ଇଜ ଫିଟ ଟୁ କ୍ଳିକ’ ଶୀର୍ଷକ ପୁସ୍ତକରେ ସାମ୍ୱାଦିକଙ୍କ କାର୍ଯ୍ୟଭାର ବୃଦ୍ଧିଲାଗି ସମ୍ୱାଦଶିଳ୍ପରେ ପ୍ରଚଳିତ ପାରମ୍ପରିକ ମନୋବୃତ୍ତିକୁ ଦାୟୀ କରିଛନ୍ତି । ପ୍ରିନ୍ସଟନ ୟୁନିଭରସିଟି ପ୍ରେସ ପକ୍ଷରୁ ୨୦୨୧ରେ ପ୍ରକାଶିତ ୨୮୦ ପୃଷ୍ଠାର ଏହି ପୁସ୍ତକରେ ପେଟ୍ରେ ‘ଦି ନିଉୟର୍କ ଟାଇମ୍ସ’ ଓ ଅନ୍ୟାନ୍ୟ ଅଗ୍ରଣୀ ସମ୍ୱାଦ ସଂସ୍ଥାରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କ ଆଚ଼ରଣ ସଂପର୍କରେ ସୁବିସ୍ତୃତ ବର୍ଣ୍ଣନା କରିଛନ୍ତି । ଏହି କ୍ଷେତ୍ରରେ ପେଟ୍ରେ ଦଶ ବର୍ଷ ଧରି ଗବେଷଣା ଜାରି ରଖିଥିଲେ ।


 

ସମ୍ୱାଦମଞ୍ଚଗୁଡ଼ିକର ସଫଳ ପରିଚାଳନା ନିମନ୍ତେ ପାରମ୍ପରିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନର ସମୟ ଉପନୀତ । ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ଗୁଣାତ୍ମକ ସାମ୍ୱାଦିକତା ସମ୍ୱାଦ ମଞ୍ଚଗୁଡ଼ିକର ବ୍ୟବସାୟ, ଏପରିକି ପ୍ରକାଶନ ଜାରି ରଖିବାକୁ ପ୍ରଭାବିତ କରୁଥିବା ଉଦାହରଣରୁ ସାମ୍ୱାଦିକଙ୍କୁ ସୃଜନମୁଖୀ ଗଢ଼ି ତୋଳିବା ନିମନ୍ତେ ଉଦ୍ୟମ ପ୍ରାଥମିକତା ଦାବୀ କରେ । ବୃତ୍ତିଧାରୀ ସାମ୍ୱାଦିକଙ୍କ କାର୍ଯ୍ୟଭାର ହ୍ରାସ, ସେମାନଙ୍କୁ ଲୋକାଭିମୁଖୀ ସାମ୍ୱାଦିକତାରେ ମନୋନିବେଶ କରିବା ନିମନ୍ତେ ପ୍ରୋତ୍ସାହନ ଏବଂ ଆବଶ୍ୟକତା ଅନୁଯାୟୀ ବାହ୍ୟ ମୁକ୍ତ ସାମ୍ୱାଦିକଙ୍କ ସେବା ସଂଗ୍ରହ ସାମ୍ୱାଦିକତାର ମାନବୃଦ୍ଧିରେ ସହାୟକ ହେବା ଆଶା କରାଯାଇପାରେ । ଏଦିଗରେ ସମ୍ପାଦକୀୟ ନୀତି ପ୍ରଯୋଜନା ଗୁରୁତ୍ୱପୂର୍ଣ୍ଣ ।               


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୧ ଜାନୁୟାରୀ ୨୦୨୨


ତଥ୍ୟ :


 

Petre, Caitlin. To improve the news, Focus on journalist’s working conditions. The American Prospect / January 14, 2022.


 

https://prospect.org/politics/altercation-why-journalism-isnt-conveying-the-threat-to-democracy/?utm_source=CJR+Daily+News&utm_campaign=2f6232d1cb-EMAIL_CAMPAIGN_2020_11_11_06_33_COPY_01&utm_medium=email&utm_term=0_9c93f57676-2f6232d1cb-174334653&mc_cid=2f6232d1cb&mc_eid=79cf39fe2e

ସାମ୍ୱାଦିକଙ୍କ ବିରୋଧରେ ହିଂସା

ସମକାଳରେ ପ୍ରତିବର୍ଷ ପ୍ରାୟ ପଚ଼ାଶ ସରିକି ସାମ୍ୱାଦିକ ବୃତ୍ତିଭିତ୍ତିକ କାରଣରୁ ହତ୍ୟାର ଶୀକାର ହୋଇଥାନ୍ତି । ସମଗ୍ରବିଶ୍ୱରେ ୨୦୧୬ରେ ୫୦ ଜଣ, ୨୦୧୭ରେ ୪୭ ଜଣ ଓ ୨୦୧୮ରେ ୫୩ ଜଣ ସାମ୍ୱାଦିକ ମୃତ୍ୟୁମୁଖରେ ପଡିଥିବା ‘କମିଟି-ଟୁ-ପ୍ରୋଟେକ୍ଟ-ଜର୍ଣ୍ଣାଲିଷ୍ଟ’ ଦ୍ୱାରା ପ୍ରକାଶିତ ପରିସଂଖ୍ୟାନରୁ ଜଣାଯାଏ । ଏହି ସଂଗଠନ ଦ୍ୱାରା ୧୯୯୨ରୁ ନିୟମିତଭାବେ ସାମ୍ୱାଦିକମାନଙ୍କୁ ଆକ୍ରମଣ ଓ ତଦ୍ୱାରା ମୃତ୍ୟୁର ବିବରଣୀ ଲିପିବଦ୍ଧ କରାଯାଇଛି । ବାର୍ଷିକଭିତ୍ତିରେ ପରିସଂଖ୍ୟାନ ପ୍ରତି ଡ଼ିସେମ୍ୱର ମାସରେ ପ୍ରକାଶିତ ହୋଇଥାଏ ।


 

ଆନ୍ତର୍ଜାତିକସ୍ତରରେ ୨୦୧୮ରେ ସାମ୍ୱାଦିକଙ୍କୁ ହତ୍ୟାର ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକାର ‘ୱାଶିଂଟନ ପୋଷ୍ଟ’ର ସ୍ତମ୍ଭକାର ଜମାଲ ଖାସୋଗୀଙ୍କୁ ଇସ୍ତାନବୁଲସ୍ଥିତ ସାଉଦୀ ଆରବ ଦୂତାବାସରେ ହତ୍ୟା ସମେତ ଅନ୍ୟ କେତେଗୋଟି ଜଘନ୍ୟ ହିଂସାକାଣ୍ଡର ବିବରଣୀ ସନ୍ନିବଶିତ ହୋଇଛି ।


 

ଯୁକ୍ତରାଷ୍ଟ୍ର ଆମେରିକାର ମେରିଲ୍ୟାଣ୍ଡରେ ୨୦୧୮ ଜୁନ ମାସରେ ଜଣେ ବ୍ୟକ୍ତି ‘କ୍ୟାପିଟାଲ ଗେଜେଟ’ ନାମକ ଏକ ସମ୍ୱାଦପତ୍ର କାର୍ଯ୍ୟାଳୟରେ ପଶି ଆଖିବୁଜା ଗୁଳି ଚ଼ାଳନା କରିବା ଫଳରେ ଚାରିଜଣ ସାମ୍ୱାଦିକଙ୍କ ସମେତ ଜଣେ କର୍ମଚ଼ାରୀ ମୃତ୍ୟୁବରଣ କରିଥିଲେ । କୁହାଯାଉଛି ଯେ ହତ୍ୟାକାରୀଜଣକ ଉକ୍ତ ସମ୍ୱାଦପତ୍ର ବିରୁଦ୍ଧରେ ୨୦୧୨ରେ ମାନହାନୀ ମକଦ୍ଦମା ଦାୟର କରି ହାରି ଯାଇଥିଲେ । ସେ ପ୍ରତିଶୋଧ ପରାୟଣ ହୋଇ ହତ୍ୟାକାଣ୍ଡ ଘଟାଇଲେ ।


 

ସୋଲଭାକିଆଠାରେ ଜଣେ ୨୭ ବର୍ଷ ବୟସ୍କ ସାମ୍ୱାଦିକଙ୍କୁ ତାଙ୍କରି ବାନ୍ଧବୀଙ୍କ ସାମନାରେ ଫେବୃୟାରୀ ମାସରେ ଗୁଳି କରାଯାଇଥିଲା । ମାଲଟାର ଜଣେ ମହିଳା ସାମ୍ୱାଦିକଙ୍କ କାରରେ ଅକ୍ଟୋବର ମାସରେ ବୋମା ଖଞ୍ଜି ବିସ୍ପୋରଣରେ ଉଡ଼ାଇ ଦିଆଯାଇଥିଲା । ସେହି ଅକ୍ଟୋବର ମାସରେ ବୁଲଗେରିଆରେ ଅନ୍ୟ ଜଣେ ମହିଳା ସାଂବାଦିକଙ୍କୁ ଧର୍ଷଣ କରି ହତ୍ୟା କରାଯାଇଥିଲା ।


 

ମେକ୍ସିକୋରେ ଚ଼ାରିଜଣ ଓ ବ୍ରାଜିଲରେ ଦୁଇଜଣ ସାମ୍ୱାଦିକ ୨୦୧୮ ହତ୍ୟାର ସମ୍ମୁଖୀନ ହୋଇଥିଲେ । ଆଫଗାନସ୍ଥାନରେ ୧୩ ଜଣ ସାମ୍ୱାଦିକ ହିଂସାକାଣ୍ଡରେ ପ୍ରାଣ ହରାଇଥିଲେ ।


 

କମିଟି-ଟୁ-ପ୍ରୋଟେକ୍ଟ-ଜର୍ଣ୍ଣାଲିଷ୍ଟ ଦ୍ୱାରା ପ୍ରସ୍ତୁତ ତାଲିକାରେ ଉଲ୍ଲେଖ କରାଯାଉଥିବା ସାମ୍ୱାଦିକମାନଙ୍କୁ ହତ୍ୟା କେତେକ କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନଦ୍ୱାରା ଗୃହୀତ ହୋଇ ନଥାଏ । ସାମ୍ୱାଦିକମାନେ ସାମ୍ୱାଦିକତା ବୃତ୍ତି ଭିନ୍ନ ଅନ୍ୟାନ୍ୟ କ୍ଷେତ୍ରରେ ବିବାଦ ହେତୁ ଆକ୍ରମଣର ସମ୍ମୁଖୀନ ହୋଇଥାନ୍ତି ବୋଲି ଯୁକ୍ତି ବଢ଼ାଯାଇଥାଏ । ତେବେ ପ୍ରତ୍ୟେକଟି ସାମ୍ୱାଦିକଙ୍କ ମୃତ୍ୟୁ ଘଟଣା କେତେଦୂର ସେମାନଙ୍କ ବୃତ୍ତିଗତ ଜୀବନଦ୍ୱାରା ପ୍ରଭାବିତ ସେଦିଗରେ ପୁଙ୍ଖାନୁପୁଙ୍ଖ କମିଟି ଦ୍ୱାରା ମନୋନୀତ ସଦସ୍ୟମାନେ ତଦନ୍ତ କରିଥାନ୍ତି ।


 

ଗଣମାଧ୍ୟମରେ କାରିଗରୀ କୌଶଳ ବିକାଶ କାରଣରୁ ବହୁସଂଖ୍ୟକ ସାଧାରଣ ନାଗରିକ ସାମ୍ୱାଦିକତାର ପରିଧିରେ ପହଞ୍ଚୁଥିବା ହେତୁ କ୍ରମଶଃ ପ୍ରକାଶନକୁ ନେଇ ଅସହିଷ୍ଣୁତା ତଥା ତଦ୍ଜନିତ ହିଂସା ବୃଦ୍ଧି ପାଇବା ଆଶଙ୍କା କରାଯାଉଥିବା ସର୍ବଶେଷ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।ଆନ୍ତର୍ଜାତିକସ୍ତର କ୍ରମବର୍ଦ୍ଧିଷ୍ଣୁ ସାମ୍ୱାଦିକଙ୍କ ବିରୋଧରେ ହିଂସାର ପ୍ରତିରୋଧ କରିବା ନିମନ୍ତେ କୌଣସି ରାଷ୍ଟ୍ରପକ୍ଷରୁ ବାସ୍ତବକ୍ଷେତ୍ରରେ ଦୃଷ୍ଟିଆକର୍ଷଣକାରୀ ପଦକ୍ଷେପ ଗ୍ରହଣ କରାଯାଉନଥିବା ହେତୁ ଉଦ୍ବେଗ ପ୍ରକାଶ ପାଇଛି ।


 

ଖ୍ୟାତନାମା ‘ଟାଇମ’ ପତ୍ରିକା ପକ୍ଷରୁ ୨୦୧୮ର ‘ମେନ-ଅଫ-ଦି-ଇଅର’ଭାବେ ଜମାଲ ଖାସୋଗୀଙ୍କୁ ମନୋନୀତ କରାଯାଇଥିଲା । ଜମାଲଙ୍କୁ ହତ୍ୟା ଆନ୍ତର୍ଜାତିକସ୍ତରରେ ବର୍ଷର ଅନ୍ୟତମ ମୁଖ୍ୟ ଘଟଣାକ୍ରମଭାବେ ବିବେଚ଼ିତ ହୋଇଥିବା ଟାଇମ ଉଦାହରଣରୁ ସୁସ୍ପଷ୍ଟ ।


 

ଜମାଲ ଖାସୋଗୀ ଜଣେ ସାଉଦୀ ଆରବ ନାଗରିକ ଏବଂ ସ୍ଥାନୀୟ ଭାଷାରେ ପ୍ରକାଶିତ ‘ଅଲ-ୱାତନ’ ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକରୂପେ କାର୍ଯ୍ୟକରି ଆସିଥିଲେ । ସାଉଦୀ ରାଜପରିବାରଙ୍କ ସହ ତାଙ୍କରି ଦୀର୍ଘକାଳ ଧରି ସଂପର୍କ ରହିଥିଲା । ଅବଶ୍ୟ ନିଜ ଲେଖାରେ ସାଉଦୀ ବିରୋଧୀ ମନ୍ତବ୍ୟ ପାଇଁ ୨୦୦୩ ଓ ୨୦୧୦ରେ ଦୁଇଥର ସମ୍ପାଦକ ପଦରୁ ବିତାଡ଼ିତ ହୋଇ ପୁନଃ-ସଂସ୍ଥାପିତ ହୋଇଥିଲେ । ନିଜ ସାମ୍ୱାଦିକତା ପାଇଁ ସେ ଗିରଫ ହେବା ଭୟରେ ସେପ୍ଟେମ୍ୱର ୨୦୧୭ରେ ଦେଶଛାଡ଼ି ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ୱାଶିଂଟନର ପଡ଼ୋଶୀ ପ୍ରଦେଶ ଭାର୍ଜିନିଆରେ ଆତ୍ମ-ନିର୍ବାସିତ ଜୀବନଯାପନ କରୁଥିଲେ । ୱାଶିଂଟନ ପୋଷ୍ଟରେ ସାମୟିକଭାବେ ତାଙ୍କରି ଏକ ସ୍ତମ୍ଭ ପ୍ରକାଶ ପାଉଥିଲା ।


 

ଜମାଲ ନିଜ ବାନ୍ଧବୀଙ୍କୁ ବିବାହ କରିବା ନିମନ୍ତେ ଆବଶ୍ୟକୀୟ ନଥିପତ୍ର ସଂଗ୍ରହ କରିବା ଉଦ୍ଦେଶ୍ୟରେ ତୁର୍କୀର ରାଜଧାନୀ ଇସ୍ତାନବୁଲ ସାଉଦୀ ଦୂତାବାସ ସହ ଯୋଗାଯୋଗ ସ୍ଥାପନ କରିଥିଲେ । ପ୍ରଥମଥର ସେପ୍ଟେମ୍ୱର ୨୮ ତାରିଖରେ ଦୂତାବାସ ପରିଦର୍ଶନ ପରେ ପୁଣିଥରେ ଆସି ଦସ୍ତାବିଜ ଗ୍ରହଣ କରିବା ନିମନ୍ତେ କୁହାଯାଇଥିଲା । ଅକ୍ଟୋବର ୨ ତାରିଖ ସକାଳୁ ଟେଲିଫୋନରେ କଥାବାର୍ତ୍ତା  କରି ଦୂତାବାସ ପରିଦର୍ଶନ ନିମନ୍ତେ ଅନୁମତି ନେଇଥିଲେ ।ଜମାଲ ନିଜ ବାନ୍ଧବୀଙ୍କ ସହ ମଧ୍ୟାହ୍ନ ଗୋଟାଏ ବେଳେ ଦୂତାବାସରେ ପହଞ୍ଚି ଗେଟ ବାହାରେ ବାନ୍ଧବୀଙ୍କୁ ନିଜର ମୋବାଇଲ ଫୋନ ଦେଇ ନିଜେ ନ ଫେରିଲେ ତୁର୍କୀ ରାଷ୍ଟ୍ରପତିଙ୍କ ଦପ୍ତରରେ ଅବସ୍ଥାପିତ ତାଙ୍କରି ଜଣେ ବନ୍ଧୁଙ୍କୁ ଯୋଗାଯୋଗ କରିବା ନିମନ୍ତେ ସୂଚ଼ନା ଦେଇ ଦୂତାବାସ ମଧ୍ୟକୁ ପ୍ରବେଶ କରିଥିଲେ ।


 

ଦୀର୍ଘ ତିନି ଘଣ୍ଟା ଧରି ଖାସୋଗୀ ନଫେରିବାରୁ ବାନ୍ଧବୀ ଦୂତାବାସରେ ଖୋଜିଥିଲେ । ଖାସୋଗୀଙ୍କ  ପୂର୍ବପ୍ରଦତ୍ତ ପରାମର୍ଶ ଆଧାରରେ ତାଙ୍କରି ବନ୍ଧୁଙ୍କୁ ଫୋନ ଯୋଗେ ଜଣାଇଥିଲେ । ଦୂତାବାସ କର୍ମଚ଼ାରୀମାନେ ପ୍ରଥମରୁ ହିଁ ଖାସୋଗୀଙ୍କ ସଂପର୍କରେ ପରସ୍ପର ବିରୋଧୀ ସୂଚ଼ନା ଦେବାରେ ଲାଗିଲେ । ଶେଷରେ ଜଣାଗଲା ଯେ ଖାସୋଗୀଙ୍କୁ ସାଉଦୀ ରାଜ ପରିବାର ପକ୍ଷରୁ ବିଧିବଦ୍ଧ ଚ଼କ୍ତାନ୍ତରେ ଦୂତାବାସ କର୍ମଚ଼ାରୀମାନେ ହତ୍ୟା କରିଛନ୍ତି । ଏହି ଘଟଣାର ଦୁଇ ସପ୍ତାହ ପରେ ସାଉଦୀ ପ୍ରଶାସନ ୧୮ ଜଣ କର୍ମଚାରୀଙ୍କୁ ଗିରଫ କରି ପାଞ୍ଚ ଜଣଙ୍କୁ ନିଳମ୍ୱନ କରାଯାଇଥିବା ସୂଚ଼ନା ପ୍ରକାଶିତ ହୋଇଥିଲା ।


 

ଖାସୋଗୀଙ୍କ ହତ୍ୟା ସାଂବାଦିକଙ୍କ ବିରୋଧରେ ହିଂସାର ଏକ ନଗ୍ନ ଉଦାହରଣ ।ଅଭିବ୍ୟକ୍ତିର ଅଧିକାରକୁ ମାନବାଧିକାରରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଥିବା ସ୍ଥଳେ ବାର୍ଷିକ ଅର୍ଦ୍ଧଶତାଧିକ ସାମ୍ୱାଦିକଙ୍କୁ ହତ୍ୟାର ପରିସଂଖ୍ୟାନ ବାସ୍ତବ କ୍ଷେତ୍ରରେ ବିରୋଧଭାସର ସୂଚ଼ନା ଦେଇଥାଏ ।                


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୮ ଜାନୁୟାରୀ ୨୦୧୯


ତଥ୍ୟ:



More journalists killed on the job as reprisal murders nearly double


https://cpj.org/reports/2018/12/journalists-killed-murdered-afghan-saudi-us.php


 

Jamal Khashoggi killed


https://cpj.org/data/people/jamal-khashoggi/index.php

ଓଡ଼ିଶାରେ ସାମ୍ୱାଦିକଙ୍କୁ ଆକ୍ରମଣ ୨୦୨୨ 

ସର୍ବଭାରତୀୟସ୍ତରରେ ୨୦୨୨ରେ ସାମ୍ୱାଦିକଙ୍କୁ ଆକ୍ରମଣ ତାଲିକାରେ ଓଡ଼ିଶା ତୃତୀୟ ସ୍ଥାନ ଅଧିକାର କରିଥିବା ବିବରଣୀ ଉଦବେଗର କାରଣ । ନୂଆଦିଲ୍ଲୀର ଏକ ଚ଼ିନ୍ତନ ମଞ୍ଚ ‘ରାଇଟସ ଏଣ୍ଡ ରିକ୍ସସ ଏନାଲିସିସ ଗୃପ’ ପକ୍ଷରୁ ୨୦୨୩ ଜୁନ ଶେଷ ସପ୍ତାହରେ ପ୍ରକାଶିତ ଏକ ରିପୋର୍ଟରେ ୨୦୨୨ରେ ଦେଶର ବିଭିନ୍ନ ପ୍ରାନ୍ତରେ ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାବଳୀର ତଥ୍ୟ ଉପସ୍ଥାପନ କରାଯାଇଛି । ବର୍ଷକ ମଧ୍ୟରେ ଜାମ୍ମୁ ଓ କାଶ୍ମୀରରେ ୪୮ ଗୋଟି ଓ ତେଲଙ୍ଗନାରେ ୪୦ ଗୋଟି ଘଟଣା ସୂଚ଼ିତ ହୋଇଥିବା ସ୍ଥଳେ ଓଡ଼ିଶାରେ ୧୪ ଗୋଟି ଘଟଣା ସଂପର୍କରେ ଉଲ୍ଲେଖ କରାଯାଇଛି । ଓଡ଼ିଶା ତଳକୁ ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ପଶ୍ଚିମ ବଙ୍ଗର ସ୍ଥାନ ।

 

ଆମ ରାଜ୍ୟରେ ରୋହିତ ବିଶ୍ୱାଳ ନାମକ ଜଣେ ସାମ୍ୱାଦିକ ସନ୍ଦିଗ୍ଧ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ବୋମା ବିସ୍ପୋରଣରେ ପ୍ରାଣ ହରାଇଥିଲେ । ଶୈଳେନ୍ଦ୍ର ନାଥ ଜେନା ଅଜ୍ଞାତ ଆତତାୟୀଙ୍କ ଦ୍ୱାରା ନିହତ ହୋଇଥିଲେ । ଲୋକନାଥ ଦଳେଇ, ଅଚ୍ୟୁତ ମହାନ୍ତି, ରାକେଶ ରାଉଳ ଓ ପ୍ରବୀଣ କୁମାରଙ୍କ ସହ ଅନ୍ୟ ଦୁଇ ଜଣ ମୋଟ ଛଅ ଜଣ ସାମ୍ୱାଦିକ ପୋଲିସ ଆକ୍ରୋଶର ଶୀକାର ହୋଇଥିବା ଅଭିଯୋଗ ହୋଇଥିଲା । ସେହିପରି କାଳୁ ଚ଼ରଣ ସାହୁ, ପ୍ରଭାତ କୁମାର ଲେଙ୍କା ଓ ଅନ୍ୟ ଚାରି ଜଣ ମୋଟ ଛଅ ଜଣ ସାମ୍ୱାଦିକ ଅଜଣା ଆତତାୟୀଙ୍କ ଦ୍ୱାରା ଆକ୍ରମଣ ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଥିଲେ ।

 

ସାଧାରଣରେ କ୍ଷମତାସୀନ ଓ ପୋଲିସଙ୍କ ଦ୍ୱାରା ସାମ୍ୱାଦିକମାନଙ୍କୁ ସରକାର ବିରୋଧୀ ସମ୍ୱାଦ ପରିବେଷଣରୁ କ୍ଷାନ୍ତ ରଖିବାଲାଗି ବଳ ପ୍ରୟୋଗ କରାଯାଉଥିବା ବିଶ୍ୱାସ କରାଯାଏ । କିନ୍ତୁ ଓଡ଼ିଶାରେ ପୋଲିସ ଦ୍ୱାରା ଛଅ ଜଣ ଉତ୍ପୀଡ଼ିତ ହୋଇଥିବା ସ୍ଥଳେ ବେସରକାରୀସ୍ତରରେ ଆଠ ଜଣ ଅକ୍ରମଣର ଶୀକାର ହୋଇଥିଲେ । ଜଣେ ଉଗ୍ରବାଦୀ ଓ ଜଣେ ଅପରାଧୀଙ୍କ ହାତରେ ପ୍ରାଣ ହରାଇଥିଲେ । ସମ୍ୱାଦିକଙ୍କ ନିରପତ୍ତା ଦିଗରେ ଏହିଭଳି ତଥ୍ୟ ଚ଼ିନ୍ତାର ବିଷୟ ।

 

ସର୍ବଭାରତୀୟସ୍ତରରେ ମୋଟ ୯୧ ଜଣ ସାମ୍ୱାଦିକ ରାଜନୀତିକ ନେତୃବର୍ଗ ଓ ଅପରାଧୀଙ୍କ ଦ୍ୱାରା ଆକ୍ରମଣ ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଥିଲା । ସେଥିମଧ୍ୟରେ ସର୍ବାଧିକ ଓଡ଼ିଶା ଓ ଉତ୍ତରପ୍ରଦେଶରେ ପାଞ୍ଚ ଜଣ ଲେଖା ସାମିଲ ହୋଇଥିଲେ । ଜାତୀୟସ୍ତରରେ ବର୍ଷକ ମଧ୍ୟରେ ୧୫ ଜଣ ସାମ୍ୱାଦିକଙ୍କୁ ପୋଲିସ ଦ୍ୱାରା ମାରପିଟ ଘଟଣା ପ୍ରକାଶିତ ହୋଇଥିବା ସ୍ଥଳେ ଓଡ଼ିଶାରେ ଚାରିଜଣ ପୋଲିସଠାରୁ ମାଡ଼ ଖାଇଥିବା ଅଭିଯୋଗ କରିଥିଲେ । ତେଲଙ୍ଗନାରେ ୪୦ ଜଣ, ଉତ୍ତର ପ୍ରଦେଶରେ ଛଅ ଜଣ, ଜାମ୍ମୁ ଓ କାଶ୍ମୀରରେ ଚାରିଜଣ, ମଧ୍ୟ ପ୍ରଦେଶରେ ତିନି ଜଣ, ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଣିପୁର ଓ ଓଡ଼ିଶାରେ ଦୁଇ ଜଣ ଲେଖା ଏବଂ ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ତାମିଲନାଡୁ, ଉତ୍ତରାଖଣ୍ଡ ଓ ପଶ୍ଚିମ ବଙ୍ଗରେ ଜଣେ ଲେଖା ସାମ୍ୱାଦିକ ପୋଲିସ ଦ୍ୱାରା ଗିରଫ ହୋଇଥିଲେ ।

 

ଓଡ଼ିଶାରେ ସାମ୍ୱାଦିକଙ୍କୁ ଆକ୍ରମଣର ଉଲ୍ଲେଖନୀୟ ଉଦାହରଣରେ ୨୦୨୨ ଫେବୃୟାରୀ ମାସରେ ଗ୍ରାମପଞ୍ଚାୟତ ନିର୍ବାଚନ ଅବସରରେ ଯାଜପୁର ଜିଲ୍ଲାରେ ତିନି ଜଣ ସାମ୍ୱାଦିକ ବିଂଝାରପୁର ବ୍ଳକର ବାଚଲା ପଞ୍ଚାୟତରେ ଦୁଇ ଭୋଟଗ୍ରହଣ ବୁଥ ଜବରଦଖଲ ଅଭିଯୋଗର ସତ୍ୟାସତ୍ୟ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଯିବାବେଳେ କେତେକ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଆହତ ହୋଇଥିବା ଘଟଣା ସମଗ୍ର ରାଜ୍ୟରେ ଚହଳ ପକାଇଥିଲା । ଦେବାଶିଷ ସାହୁ, ଗୁଲଶନ ଅଲ୍ଲି ନୱାଜ ଓ ବିଜୟ ସାହୁ ଏସଂପର୍କରେ ରାଜ୍ୟ ନିର୍ବାଚ଼ନ କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । ସାମ୍ୱାଦିକଙ୍କୁ ଆକ୍ରମଣର ଭିଡ଼ିଓ ସେମାନଙ୍କ ଗହଣରେ ଥିବା କ୍ୟାମରାମେନ ଆକ୍ରମଣକାରୀଙ୍କ ଅଲକ୍ଷ୍ୟରେ ଗାଡ଼ିଭିତରେ ବସି ରେକର୍ଡ଼ କରିପାରିଥିବା ହେତୁ ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ପ୍ରଦର୍ଶିତ ହୋଇଥିଲା । ଏଥି ପୂର୍ବରୁ ପୁରୀ ଜିଲ୍ଲା କଣାସ ବ୍ଳକ ବାଦଲ ପଞ୍ଚାୟତରେ ମଧ୍ୟ ଚାରି ଜଣ ସାମ୍ୱାଦିକ ଅକ୍ରମଣ ଶୀକାର ହୋଇଥିବା ଅଭିଯୋଗ ଆସିଥିଲା ।

 

ଅନ୍ୟ ଏକ ଘଟଣାକ୍ରମରେ ଏପ୍ରିଲ ମାସରେ ବାଲେଶ୍ୱରରେ ଅବସ୍ଥାପିତ ଏକ ଟେଲିଭିଜନ ଚ୍ୟାନେଲର ସାମ୍ୱାଦିକ ଲୋକନାଥ ଦଳେଇ ନୀଳଗିରି ପୋଲିସ ଥାନାରେ ଏକ ସାମାନ୍ୟ ମଟର ସାଇକେଲ ଦୁର୍ଘଟଣା ପଚ଼ରାଉଚୁରା ପାଇଁ ପହଞ୍ଚିଥିବା ଅବସରରେ ର୍ଦୁବ୍ୟବହାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଥିଲା । ପୋଲିସ ମାଡ଼ ମାରିଥିବା ଏବଂ ସାମ୍ୱାଦିକ ଜଣକ ଧକ୍କାଖାଇ ଚ଼ଟାଣରେ ପଡ଼ି ସଂଜ୍ଞାହୀନ ହେବାପରେ ବାଲେଶ୍ୱର ହସପିଟାଲରେ ଚ଼ିକିତ୍ସା ସମୟରେ ଗୋଡ଼କୁ ଖଟିଆ ସହ ଚ଼େନ ବନ୍ଧା ହୋଇଥିବା ବର୍ଣ୍ଣନା ସମ୍ୱେଦନଶୀଳ ଘଟଣା ପାଲଟିଥିବା । ବିଶେଷକରି ଏହି ସଂପର୍କୀତ ଭିଡ଼ିଓ ଭାଇରଲ ହେବାପରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।

 

‘ରାଇଟସ ଏଣ୍ଡ ରିକ୍ସସ ଏନାଲିସିସ ଗୃପ’ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଏହାର ପ୍ରକାଶିତ ରିପୋର୍ଟ ମୁଖ୍ୟତଃ ପ୍ରଭାବିତ ସାମ୍ୱାଦିକଙ୍କ ଅଭିଯୋଗ ଓ ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଆଧାରିତ ହେବା ସ୍ୱାଭାବିକ । ଏହି କାରଣରୁ ଅଭିଯୋଗ ଦାଖଲ ହୋଇପାରିନଥିବା ବହୁ ଘଟଣା ଲୁକାୟିତ ରହିଯାଇଥାଇପାରେ କିମ୍ୱା ମିଥ୍ୟା ଅଭିଯୋଗର ଅବକାଶ ମଧ୍ୟ ସମ୍ଭବ । ସରକାରୀସ୍ତରରେ ଏହି ତଥ୍ୟାବଳୀ ସମର୍ଥିତ ନହୋଇପାରେ । ତେବେ ମୋଟାମୋଟି ଭାବେ ସମକାଳୀନ ସାମାଜିକ ବ୍ୟବସ୍ଥାରେ ସାମ୍ୱାଦିକଙ୍କ ସୁରକ୍ଷା ସଂପର୍କରେ ଚ଼ିତ୍ର ପ୍ରଦାନ କରୁଥିବା ବିଶ୍ୱାସ କରାଯାଇପାରେ ।

 

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସହ ଅନଲାଇନ ଓ ସୋସିଆଲ ମିଡ଼ିଆରେ ସମ୍ୱାଦ ପ୍ରସାରଣ ବ୍ୟାପ୍ତ ପରେ ସାମ୍ୱାଦିକ କିଏ ? ସାମ୍ୱାଦିକତା ନିମନ୍ତେ ସର୍ବନିମ୍ନ ଯୋଗ୍ୟତା କିମ୍ୱା ପ୍ରକାଶନ ମଞ୍ଚର ଆଭିମୁଖ୍ୟ ନିର୍ଦ୍ଧାରଣର ବ୍ୟବସ୍ଥା ତ ନାହିଁ । ଭାରତୀୟ ସମ୍ୱିଧାନରେ ଅଭିବ୍ୟକ୍ତିର ସ୍ୱାଧୀନତା ଉପଭୋଗ କରିବା ନିମନ୍ତେ ସାଧାରଣ ନାଗରିକ ଓ ସାମ୍ୱାଦିକଙ୍କ ମଧ୍ୟରେ କୌଣସି ତାରତମ୍ୟ ଉଲ୍ଲେଖ ନାହିଁ । ସେହି କାରଣରୁ ଆଇନତଃ ସାମ୍ୱାଦିକ ଏକ ସାଧାରଣ ନାଗରିକଭାବେ ପରିଗଣିତ । ଏହି ପରିବେଶରେ ସାମ୍ୱାଦିକଙ୍କୁ ଆକ୍ରମଣଜନିତ ଅପରାଧିକ ବର୍ଗୀକରଣ କେତେଦୂର ଯୁକ୍ତିଯୁକ୍ତ ?

 

‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟସ’ ନାମକ ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଡ଼ିସେମ୍ୱର ପହିଲା ୨୦୨୨ ସୁଦ୍ଧା ବର୍ଷକ ମଧ୍ୟରେ ଭାରତରେ ୩୬୩ ଜଣ ସାମ୍ୱାଦିକ ଅଭିବ୍ୟକ୍ତିରେ ସ୍ୱାଧୀନତା ହରାଇଥିବା ଅଭିଯୋଗ କରିଥିବା ଉଲ୍ଲେଖ କରାଯାଇଥିଲା । ପୂର୍ବ ବର୍ଷ ତୁଳନାରେ ଅଭିଯୋଗ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଇଥିବା ଦର୍ଶାଯାଇଥିଲା । ‘ରିପୋର୍ଟସ ଉଇଥ ଆଉଟ ବୋଡ଼ର୍ସ’ର ରିପୋର୍ଟ ଅନୁଯାୟୀ ଆନ୍ତର୍ଜାତିକସ୍ତରରେ ୨୦୨୨ରେ ବନ୍ଦୀ ସାମ୍ୱାଦିକଙ୍କ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇଥିଲା । ମୋଟ ୫୩୩ ବନ୍ଦୀ ସାମ୍ୱାଦିକଙ୍କ ମଧ୍ୟରେ ୭୮ ଜଣ ମହିଳା ସାମ୍ୱାଦିକ ଅନ୍ତର୍ଭୁକ୍ତ । ୨୦୨୨ରେ ୫୭ ଜଣ ସାମ୍ୱାଦିକ ବୃତ୍ତି କରଣରୁ ହତ୍ୟାର ଶୀକାର ହୋଇଥିବା ସ୍ଥଳେ ୨୦୨୧ ତୁଳନାରେ ୧୮ ପ୍ରତିଶତ ବୃଦ୍ଧି ପାଇଥିଲା ।

 

ୟୁନେସ୍କୋ ପକ୍ଷରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି ଯେ ୨୦୨୧-୨୨ ସୁଦ୍ଧା ସମଗ୍ର ବିଶ୍ୱରେ ସାମ୍ୱାଦିକତା ଏକ ବିପଦପୂର୍ଣ୍ଣ ବୃତ୍ତି ରୂପେ ପରିଗଣିତ । ଦଶ ଜଣ ସାମ୍ୱାଦିକ ହତ୍ୟାର ଶୀକାର ହେଲେ ନଅ ଜଣଙ୍କ କ୍ଷେତ୍ରରେ ଅପରାଧ ବିଭିନ୍ନ କାରଣରୁ ପ୍ରମାଣିତ ହୋଇପାରେ ନାହିଁ । ଏହି ଉପପାଦ୍ୟ ସାମ୍ୱାଦିକଙ୍କୁ ଆକ୍ରମଣରେ କ୍ଷେତ୍ରରେ ମଧ୍ୟ ସମଭାବେ ପ୍ରତିଫଳିତ ବିଚାର କରାଯାଇପାରେ । ସାଂବାଦିକଙ୍କ ଆକ୍ରମଣକାରୀ ସଂଖ୍ୟାଧିକସ୍ତରରେ ଦଣ୍ଡିତ ହୋଇପାରନ୍ତି ନାହିଁ । ସମ୍ୱାଦ ମଞ୍ଚର ବ୍ୟାପ୍ତି ଓ ନାଗରିକ ସାମ୍ୱାଦିକମାନଙ୍କ ଆବିର୍ଭାବ ଏହି ପରିବେଶକୁ ଆହୁରି ବିଷାକ୍ତ ଗଢ଼ି ତୋଳିବା ଆଶଙ୍କା ଅମୂଳକ ନୁହେଁ ।                 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ :  ୧୪ ଜୁଲାଇ ୨୦୨୩


ଭିଡ଼ିଓ:

 

ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ୨୦୨୩ ପାଳନ ଅବସରରେ ଜାତିସଂଘ ମୁଖ୍ୟଙ୍କ ଉଦବୋଧନ ‘ୟୁଟ୍ୟୁବ’ ଭିଡ଼ିଓ (୨.୭ ମିନଟ)

 

https://youtu.be/IcZmsV3aRwE

 

 ତଥ୍ୟ:



194 Journalists Targeted, Eight killed during 2022 in India / Rights & Risks Analysis Group / Pree Release / June 27, 2023

 

 

http://www.rightsrisks.org/press-release/press-release-194-journalists-targeted-eight-killed-during-2022-in-india/


ବନ୍ଦୀ ସାମ୍ୱାଦିକ ୨୦୨୨ 

ଆନ୍ତର୍ଜାତିକସ୍ତରରେ ବନ୍ଦୀ ସାମ୍ୱାଦିକଙ୍କ ସଂଖ୍ୟା ୨୦୨୨ ମସିହାରେ ପୂର୍ବ-ବର୍ଷଗୁଡ଼ିକ ତୁଳନାରେ ଶୀର୍ଷରେ ପହଞ୍ଚିଥିବା ହିସାବ କରାଯାଇଛି । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ୨୦୨୧ରେ ମଧ୍ୟ ଶୀର୍ଷ ସ୍ଥାନ ଅଧିକାର କରିଥିବା ସ୍ଥଳେ ୨୦୨୧ ତୁଳନାରେ ୨୦୨୨ରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି । ‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୦ରେ ୨୮୦, ୨୦୨୧ରେ ୨୯୩ ସାମ୍ୱାଦିକ ବନ୍ଦୀ ଥିବା ସ୍ଥଳେ ୨୦୨୨ ଡ଼ିସେମ୍ୱର ପହିଲା ସୁଦ୍ଧା ୩୬୩ ସାମ୍ୱାଦିକ ବିଭିନ୍ନ କାରଣରୁ ବନ୍ଦୀଶାଳାରେ ଆବଦ୍ଧ ରହିଥିଲେ । ଏହି ହିସାବରେ ଭାରତରୁ ସାତ ଜଣ ବନ୍ଦୀ ସାମ୍ୱାଦିକ ଅନ୍ତର୍ଭୁକ୍ତ ।

 

‘କମିଟି ଟୁ ପ୍ରେଟେକ୍ଟ ଜର୍ଣ୍ଣାଲିଷ୍ଟସ’ ଯୁକ୍ତରାଷ୍ଟ୍ର ଆମେରିକାଭିତ୍ତିକ ଏକ ବେସରକାରୀ ସଂଗଠନ । ବିଶ୍ୱବ୍ୟାପୀ ସାମ୍ୱାଦିକଙ୍କ ସୁରକ୍ଷାକଳ୍ପେ ୧୯୮୧ରେ ଗଠିତ ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ନ୍ୟୂ-ୟର୍କରେ ଅବସ୍ଥିତ । ଯେକୌଣସି ସୂତ୍ରରୁ ସାମ୍ୱାଦିକଙ୍କ ସୁରକ୍ଷା ବିପନ୍ନ ସମ୍ୱାଦ ହସ୍ତଗତ ହେବା ପରେ ସଂସ୍ଥାର ଅଧିକୃତ ଆଞ୍ଚଳିକ ପ୍ରତିନିଧିମାନେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିଥାନ୍ତି । ପ୍ରତିବର୍ଷ ପ୍ରକାଶିତ ଏହାର ବାର୍ଷିକ ବିବରଣୀରେ ସାମ୍ୱାଦିକଙ୍କୁ ବନ୍ଦୀ, ହତ୍ୟା ଓ ନିର୍ଯ୍ୟାତନାର ବିସ୍ତୃତ ବିବରଣୀ ସ୍ଥାନ ପାଇଥାଏ । କେତେକ ଏହାର କାର୍ଯ୍ୟାବଳୀକୁ ‘ସାମ୍ୱାଦିକତା ରେଡ଼କ୍ରସ’ ଅଭିହିତ କରିଥାନ୍ତି ।

 

ସାମ୍ୱାଦିକଙ୍କୁ ବନ୍ଦୀ କରିବା ୨୦୨୨ର ତାଲିକାରେ ଶୀର୍ଷରେ ରହୁଥିବା ପାଞ୍ଚଗୋଟି ରାଷ୍ଟ୍ର ମଧ୍ୟରେ ଯଥାକ୍ରମେ ଇରାନ, ଚ଼ୀନ, ମାୟାମାର, ତୁର୍କୀ ଓ ବେଲାଋଷ ଚ଼ିହ୍ନିତ । କୋଭିଡ଼-୧୯ ମହାମାରୀଜନିତ ବିଘଟନ ଏବଂ ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ସୃଷ୍ଟ ଅର୍ଥନୀତିକ ମନ୍ଦାବସ୍ଥାରେ ପ୍ରଭାବିତ ଜନଜୀବନରେ ଉଚ୍ଚାରିତ ଆକ୍ରୋଶ ପ୍ରଚାରକୁ ଦବାଇବା ନିମନ୍ତେ ସ୍ୱେଚ୍ଛାଚାରୀ ପ୍ରଶାସକମାନେ ସାମ୍ୱାଦିକଙ୍କ କଣ୍ଠରୋଧ ଲାଗି ସେମାନଙ୍କୁ ବନ୍ଦୀ କରିଥାନ୍ତି । ଇରାନରେ ପୋଲିସ ହାଜତରେ ମାଶା ଆମିନି ନାମକ ୨୨ ବର୍ଷିଆ ଯୁବତୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ହିଜାବ-ବିରୋଧୀ ଆନ୍ଦୋଳନରେ ପ୍ରାୟ ୧୪ ହଜାର ବନ୍ଦୀ ହୋଇଥିଲେ । ସେମାନଙ୍କ ମଧ୍ୟରେ ୬୨ ଜଣ ସାମ୍ୱାଦିକଙ୍କ ତଥା ୨୨ ଜଣ ମହିଳା ସାମ୍ୱାଦିକ ଅନ୍ତର୍ଭୁକ୍ତ ଥିଲେ ।

 

ଚୀନରେ ସରକାରଙ୍କ ଶୂନ୍ୟ-କୋଭିଡ଼ ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଅବସରରେ ବହୁ ସଂଖ୍ୟକ ସାମ୍ୱାଦିକଙ୍କୁ ପ୍ରଶାସନ ସ୍ୱଳ୍ପକାଳୀନ ବନ୍ଦୀ କରିଥିଲେ । ସେଠାରେ ୨୦୨୧ରେ ୪୮ ଜଣ ସାମ୍ୱାଦିକ ବନ୍ଦୀ ହୋଇଥିବା ହିସାବ କରାଯାଇଥିବା ସ୍ଥଳେ ୨୦୨୨ରେ ୪୩କୁ ଖସିଥିବା କୁହାଯାଏ । ସେହିପରି ମାୟାମାର ୨୦୨୧ରେ ସମଗ୍ର ବିଶ୍ୱରେ ସାମ୍ୱାଦିକଙ୍କୁ ବନ୍ଦୀ କରିବାରେ ଦ୍ୱିତୀୟ ରାଷ୍ଟ୍ର ପରିଗଣିତ ହୋଇଥିବା ସ୍ଥଳେ ୨୦୨୨ରେ ତୃତୀୟ ସ୍ଥାନକୁ ଆସିଛି । ତେବେ ୨୦୨୧ରେ ୩୦ ଜଣ ସାମ୍ୱାଦିକ ବନ୍ଦୀ ହୋଇଥିବା ସ୍ଥଳେ ୨୦୨୨ରେ ୪୨ରେ ପହଞ୍ଚିଛି । ସେଠାକାର ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ବନ୍ଦୀ ସାମ୍ୱାଦିକଙ୍କ ସହ ସଂପର୍କ ସ୍ୱୀକାର କରୁନଥିବା ହେତୁ ବିଷମ ପରିସ୍ଥିତି ଉପୁଜିଥାଏ ।

 

ତୁର୍କୀରେ ୨୦୨୧ରେ ୧୮ ଜଣ ସାମ୍ୱାଦିକ ବନ୍ଦୀ ହୋଇଥିବା ବେଳେ ୨୦୨୨ରେ ସେମାନଙ୍କ ସଂଖ୍ୟା ୪୦କୁ ବଢ଼ିଥିଲା । ସମଧାରାରେ ବେଲାଋଷରେ ୨୦୨୧ରେ ୧୯ ଜଣ ସାମ୍ୱାଦିକ ବନ୍ଦୀ ହୋଇଥିବା ସ୍ଥଳେ ୨୦୨୨ରେ ୨୬ରେ ପହଞ୍ଚିଥିଲା । ବେଲାଋଷରେ ମୁଖ୍ୟତଃ ୨୦୨୦ରେ ବିବାଦୀୟ ରାଷ୍ଟ୍ରପତି ନିର୍ବାଚନ ସଂପର୍କରେ ସମ୍ୱାଦ ଓ ଅଭିମତ ପରିବେଷଣ କରି ସାମ୍ୱାଦିକମାନେ ବନ୍ଦୀ ହୋଇଥିବା କୁହାଯାଏ ।

 

ଆଞ୍ଚଳିକଭିତ୍ତିରେ ଚୀନ, ମାୟାମାର ଓ ଭିଏତନାମରେ ସର୍ବାଧିକ ୧୧୯ ଜଣ ସାମ୍ୱାଦିକ ବନ୍ଦୀ ରହିଥିଲେ । ଭିଏତନାମରେ ୨୦୨୨ରେ ୨୧ ଜଣ ସାମ୍ୱାଦିକ କାରାବରଣ କରିଥିଲେ । ଆଫ୍ରିକାରେ ଏରାଟିକା ଭଳି ରାଷ୍ଟ୍ରରେ ୧୬ ଜଣ ସାମ୍ୱାଦିକ ବନ୍ଦୀ ଥିବା ଏବଂ ସେମାନଙ୍କ ନ୍ୟାୟିକ ବିଚାର ଦୀର୍ଘକାଳ ଧରି ବିଳମ୍ୱ ହୋଇଥିବା ଜଣାଯାଏ । ଲାଟିନ ଆମେରିକାରେ ଅପେକ୍ଷାକୃତ କମ ସଂଖ୍ୟକ ସାମ୍ୱାଦିକ ବନ୍ଦୀ ଚ଼ିହ୍ନଟ ହୋଇଥାଏ । ମଧ୍ୟ-ପ୍ରାଚ଼୍ୟ ଇଜିପ୍ଟରେ ୨୧ ଜଣ ବନ୍ଦୀ ଥିଲେ । ଋଷରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରେ ପ୍ରଚଳିତ ବ୍ୟବସ୍ଥାରେ ଅତିଷ୍ଠ ହୋଇ ବହୁ ସଂଖ୍ୟକ ସାମ୍ୱାଦିକ ଦେଶାନ୍ତର ଗମନ କରିଥିବା ପ୍ରକାଶ ।

 

‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ର ବିବରଣୀ ଅନୁଯାୟୀ ୨୦୨୨ରେ ଭାରତରେ ସାତ ଜଣ ସାମ୍ୱାଦିକ ବନ୍ଦୀ ଥିଲେ । ସେମାନଙ୍କ ମଧ୍ୟରୁ ଛଅଜଣ ଆତଙ୍କବାଦ ବିରୋଧ ଓ ବେନିୟମ କାର୍ଯ୍ୟକଳାପ ନିଷେଧ ଭଳି ଆଇନ ଅମାନ୍ୟରେ ଅଭିଯୁକ୍ତ । ତିନିଜଣ ସାମ୍ୱାଦିକ ବର୍ଷରୁ ଅଧିକ ସମୟଧରି ବନ୍ଦୀ । ସର୍ବାଧିକ ଚାରି ଜଣ କାଶ୍ମୀର ସାମ୍ୱାଦିକଙ୍କ ମଧ୍ୟରେ ‘କାଶ୍ମୀର ନେରେଟର’ର ସମ୍ୱାଦଦାତା ଅଶିଫ ସୁଲତାନ, ‘କାଶ୍ମୀର ୱାଲା’ର ସଜାଦ ଗୁଲ ଓ ଫରାଦ ଶାହଙ୍କ ସହ ମାନନ ଧର ନାମକ ଜଣେ ଫ୍ରିଲାନ୍ସ ସାମ୍ୱାଦିକ ଜେଲରେ ରହିଥିଲେ । ଝାଡ଼ଖଣ୍ଡର ରୂପେଶ କୁମାର ସିଂ, ପୁନେର ଗୌତମ ନଭାଲକାର ଓ କେରଳରେ ସିଦ୍ଦିକ କାପାନ ଅନ୍ୟତମ ବନ୍ଦୀ ସାମ୍ୱାଦିକ ।

 

ଭିନ୍ନ ଭିନ୍ନ ରାଷ୍ଟ୍ରରେ ବିଭିନ୍ନ କାରଣରୁ ସାମ୍ୱାଦିକଙ୍କୁ ବନ୍ଦୀ କରାଯାଉଥିବା ସ୍ଥଳେ ସାମ୍ୱାଦିକମାନେ ସ୍ଥାନୀୟ ଆଇନ ଉଲଂଘନ କରିଥିବା ଅଭିଯୋଗ ହୋଇଥାଏ । ଆଇନ ଇଲଂଘନର ତର୍ଜମା ବିଚାରାଳୟରେ କରାଯାଏ ଏବଂ ଦୋଷ ପ୍ରମାଣିତ ହେଲେ ଯେକୌଣସି ସାଧାରଣ ନାଗରିକଙ୍କ ଭଳି ସାମ୍ୱାଦିକମାନେ ମଧ୍ୟ ଦଣ୍ଡିତ ହୋଇଥାନ୍ତି । ତେବେ ବନ୍ଦୀ ସାମ୍ୱାଦିକ ପ୍ରସଙ୍ଗ ଆଲୋଚ଼ନା କଲାବେଳେ କେତେଗୋଟି ଦିଗ ଗୁରୁତ୍ୱ ବହନ କରେ ।

 

ପ୍ରଥମତଃ, ଦେଖିବାକୁ ମିଳେ ସର୍ବତ୍ର ଖ୍ୟାତିସଂପନ୍ନ ସାମ୍ୱାଦିକମାନେ କ୍ୱଚିତ ବନ୍ଦୀ ହୋଇଥାନ୍ତି । ମୁଖ୍ୟତଃ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଦ୍ୱାରା ଅନୁବନ୍ଧିତ ମୁକ୍ତ ବୃତ୍ତିର ସାମ୍ୱାଦିକ ‘ଫ୍ରିଲାନ୍ସର’, ‘କଣ୍ଟ୍ରିବ୍ୟୁଟର’ ବର୍ଗର ସାମ୍ୱାଦିକଙ୍କୁ ବନ୍ଦୀ କରାଯାଇଥାଏ । ଏହାର ମୁଖ୍ୟ କାରଣ ଆଇନକାନୁନ ସଂପର୍କରେ କେତେକ ସାମ୍ୱାଦିକ ଅବଗତ ନଥିବା ହେତୁ ବା ଜାଣିଶୁଣି ଉଲଂଘନ କରୁଥିବା କାରଣରୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନର ଶୀକାର ହୋଇଥାନ୍ତି । ପ୍ରଚଳିତ ଆଇନକାନୁନ ତୃଟିପୂର୍ଣ୍ଣ ହୋଇପାରେ । କିନ୍ତୁ ତାହାର ବିଧିବଦ୍ଧ ପରିବର୍ତ୍ତନ ନହେବା ଯାଏଁ ସମସ୍ତ ନାଗରିକ ମାନିବାକୁ ବାଧ୍ୟ ।

 

ଦ୍ୱିତୀୟତଃ, ଏକ ସ୍ପର୍ଶକାତର ଘଟଣାକୁ ସମ୍ୱାଦ ଭାବେ ଉପସ୍ଥାପିତ କରିବା କିମ୍ୱା ଅଭିମତ ବାଢ଼ିବା ଅବସରରେ ଅନେକ କ୍ଷେତ୍ରରେ ଶୈଳୀଗତ ଓ ଭାଷାଗତ ଚ଼ାତୁର୍ଯ୍ୟ ସାମ୍ୱାଦିକଙ୍କୁ ଆଇନ ପଞ୍ଜାରୁ ମୁକୁଳାଇ ଦେଇପାରେ । ଏହା ତାଲିମ ଓ ଅଭ୍ୟାସ ଉପରେ ନିର୍ଭରଶୀଳ । ଅତିକମରେ ସମ୍ୱାଦଟିଏ ରଚନା ପରେ ବାରମ୍ୱାର ସଂଶୋଧନ, ସତୀର୍ଥ କିମ୍ୱା ସାଧାରଣ ପାଠକଙ୍କୁ ପଢ଼ାଇ ସେମାନଙ୍କ ପ୍ରତିକ୍ରିୟା ଗ୍ରହଣ ସମ୍ୱାଦର ବୈଷୟିକ ତୃଟିଗୁଡ଼ିକ ସଂଶୋଧନରେ ସାହାଯ୍ୟ କରିଥାଏ । ପୋଖତ ସାମ୍ୱାଦିକମାନେ ଏହି ସୂତ୍ରକୁ ନିଷ୍ଠା ସହକାରେ ପାଳନ କରିଥାନ୍ତି । କିନ୍ତୁ ଭାବାବେଗର ବଶବର୍ତ୍ତୀ ହୋଇ ତରବରିଆ ରଚ଼ନା ଅନେକ ସମୟରେ ଆଇନଗତ ଜଟିଳତାକୁ ଟାଣି ଆଣେ ।

 

ତୃତୀୟତଃ, କୋଭିଡ଼-୧୯ ମହାମାରୀ ପୂର୍ବାବସ୍ଥାରୁ ବିଭିନ୍ନ କାରଣରୁ ବିଶ୍ୱର କେତେକ ରାଷ୍ଟ୍ରରେ ଏକଛତ୍ରବାଦ ଶାସନ ବ୍ୟବସ୍ଥା ମୁଣ୍ଡ ଟେକିବା ପରେ ନୀତିବାନ ସାମ୍ୱାଦିକମାନେ ସାମ୍ୱାଦିକତା ବୃତ୍ତି ପରିତ୍ୟାଗ କରୁଛନ୍ତି, ଦେଶାନ୍ତର ଗମନ କରୁଛନ୍ତି କିମ୍ୱା ଆତ୍ମ-ନିର୍ବାସନକୁ ଉଚ଼ିତ ପନ୍ଥା ବିଚାର କରୁଛନ୍ତି । ସାମ୍ୱାଦିକତା ମୁଖ୍ୟତଃ ଏକ ସୃଜନ କଳା । ସାମ୍ୱାଦିକଟିଏ ତଥ୍ୟ ଓ ଭାଷାର ଖେଳରେ ନିମଜ୍ଜି ରହେ । ଆଇନ-ଅଦାଲତ, ବନ୍ଦୀ-ଜୀବନ ସୃଜନଶୀଳଙ୍କ ରୁଚ଼ି ବର୍ହିଭୂତ । ଏତଦ୍ୱାରା ସାମ୍ୱାଦିକତା ପ୍ରତିହତ ହେଉଛି, ଗଣତନ୍ତ୍ର ବିପନ୍ନ ଅବସ୍ଥାକୁ ଟାଣି ହୋଇଯାଉଛି । କିନ୍ତୁ ରାଜନୀତିକ ସମୀକରଣ ସାମ୍ୱାଦିକତା ବୃତ୍ତି ପର୍ଯ୍ୟାୟଭୁକ୍ତ ନୁହ, ଏକଥା ପ୍ରତ୍ୟେକ ସାମ୍ୱାଦିକ ବୁଝିବା ଆବଶ୍ୟକ ।

 

ବନ୍ଦୀ ସାମ୍ୱାଦିକଙ୍କ ସଂପର୍କୀତ ତଥ୍ୟାବଳୀ ଅଧ୍ୟୟନ କାର୍ଯ୍ୟରତ ସାମ୍ୱାଦିକଙ୍କୁ ସେମାନଙ୍କ ବୃତ୍ତିରେ ସଂଭାବ୍ୟ ବିପଦ ସଂପର୍କରେ ପରିଚ଼ିତ କରାଇଥାଏ । ବନ୍ଦୀ ସାମ୍ୱାଦିକଙ୍କ ଜୀବନ ବିବରଣୀ କେସ ଷ୍ଟଡ଼ି ଆଇନର ଜାଲରୁ କିପରି ମୁକୁଳିବାକୁ ହେବ ତାହା ଶିଖାଇଥାଏ । ପ୍ରତିଷ୍ଠିତ ସମ୍ୱାଦ ସଂସ୍ଥାଗୁଡ଼ିକରେ ପ୍ରକାଶିତ ରଚନା ବହୁସ୍ତରରେ ସମ୍ପାଦନାର ସୁବିଧା ଥିବା ହେତୁ ପ୍ରାୟତଃ ଆଇନ ଇଲଂଘନରୁ ବଞ୍ଚାଇ ଦେଇଥାଏ । ପରିବର୍ତ୍ତିତ ପରିବେଶରେ ସାମ୍ୱାଦିକଟିଏ ପ୍ରଚଳିତ ଆଇନ ଉଲଂଘନ ନକରି କିପରି ସମ୍ୱାଦ ପରିବେଷଣ କରିପାରିବ ସେହି କଳାକୌଶଳ ଶିଖିବା ଆବଶ୍ୟକ । ସାମ୍ୱାଦିକତା ପାଠ୍ୟକ୍ରମର ଏହା ଅଂଶବିଶେଷ କରିବା ସଙ୍ଗେ ବୃତ୍ତିଧାରୀଙ୍କ ନିମନ୍ତେ ଅନଲାଇନ ମେନଟରସିପ ଆୟୋଜନ ଉଚ଼ିତ ପଦକ୍ଷେପ ବୋଲି ବିଶ୍ୱାସ କରାଯାଇପାରେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩ ଫେବୃୟାରୀ ୨୦୨୩


ତଥ୍ୟ :

 

Number of jailed journalists spikes to new global record – Committee to Protect Journalists

 

https://cpj.org/reports/2022/12/number-of-jailed-journalists-spikes-to-new-global-record/

 

Number of jailed journalist at new global record, seven behind bar in India. thewire.in. December 14, 2022

 

https://m.thewire.in/article/media/cpj-jailed-journalists-india-seven

ସାମ୍ୱାଦିକଙ୍କୁ ହତ୍ୟା

ସାମ୍ୱାଦିକଙ୍କୁ ହତ୍ୟା ଗଣମାଧ୍ୟମ କଣ୍ଠରୋଧର ଚରମ ପଦକ୍ଷେପ ରୂପେ ବିବେଚନା କରାଯାଇପାରେ । ଉତ୍ତର ଆମେରିକାର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ମାକ୍ସିକୋରେ ୨୦୨୨ ଜାନୁୟାରୀ ମାସକ ମଧ୍ୟରେ ଚାରିଜଣ ସାମ୍ୱାଦିକ ହତ୍ୟାର ଶୀକାର ହୋଇଥିବା ବିବରଣୀ ଆନ୍ତର୍ଜାତିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା । ନିକଟ ଅତୀତରେ ମେକ୍ସିକୋର ସାମ୍ୱାଦିକମାନଙ୍କୁ କ୍ରମାଗତ ଭାବେ ହତ୍ୟା କରାଯାଇ ଆସିଛି । ପୂର୍ବ ବର୍ଷ ୨୦୨୧ରେ ନ୍ୟୂୟର୍କଭିତ୍ତିକ ‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ର ହିସାବରେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା । ମେକ୍ସିକୋରେ ମୁଖ୍ୟତଃ ରାଜନୀତିଜ୍ଞ ଓ ଅପରାଧୀଙ୍କ ଅସାଧୁ ସଂପର୍କ ତଦନ୍ତରେ ସଂଶ୍ଳିଷ୍ଟ ସାମ୍ୱାଦିକମାନଙ୍କୁ ହତ୍ୟା କରାଯାଉଥିବା ଜଣାଯାଇଥାଏ ।


 

ଜାନୁୟାରୀ ୧୦ ତାରିଖରେ ଜୋସ ଲୁଇସ ଗାମ୍ଭୋଆ ନାମକ ଜଣେ ସାମ୍ୱାଦିକଙ୍କୁ ଛୁରି ଭୁଷି ହତ୍ୟା କରାଯାଇଥିଲା । ସେ ‘ଇନଫରଲିଗୋ’ନାମକ ନିଜ ପ୍ରତିଷ୍ଠିତ ଡିଜିଟାଲ ସମ୍ୱାଦ ମଞ୍ଚରେ ରାଜନୀତିର ଅପରାଧିକରଣ ସଂପର୍କରେ ବରାବର ପର୍ଦ୍ଦାଫାଶ କରୁଥିଲେ । ସପ୍ତାହକ ପରେ ଦ୍ୱିତୀୟ ହତ୍ୟାକାଣ୍ଡ ଜାନୁୟାରୀ ୧୭ରେ ଘଟିଥିଲା । ମାର୍ଗାରିଟୋ ମାଟିନାଜ ନାମକ ଜଣେ ୪୯ ବର୍ଷ ବୟସ୍କ ଫୋଟୋ ସାମ୍ୱାଦିକଙ୍କୁ ଏକାକୀ ଜଣେ ଦୁର୍ବତ୍ତ ଗୁଳି କରିଥିଲା ।


 

ତୃତୀୟ ହତ୍ୟାକାଣ୍ଡରେ ମେସ୍କିକୋର ସର୍ବବୃହତ୍ତ ଟେଲିଭିଜନ ନେଟୱାର୍କ ‘ଟେଲିଭିସା’ର ଜଣେ ପୂର୍ବତନ ମହିଳା ସାମ୍ୱାଦିକ ଲୋଭରାଡସ ମାଲଡୋସାଡ଼େ ଲୋପାଜ ଜାନୁୟାରୀ ୨୩ ତାରିଖ ଦିନ ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଗୁଳି ସାମ୍ନା କରିଥିଲେ । ଚ଼ତୁର୍ଥ ସମ୍ୱାଦିକ ରୋବେର୍ଟୋ ଟୋଲେଡ଼େ କାରପାର୍କିଂ ସ୍ଥଳରେ ଜାନୁୟାରୀ ୩୧ ତାରିଖ ଦିନ ତିନିଜଣ ବନ୍ଧୁକଧାରୀଙ୍କ ଗୁଳିରେ ନିହତ ହୋଇଥିଲେ ।


 

ମେସ୍କିକୋର ନାଗରିକ ସମାଜ କର୍ମୀମାନେ ‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ର ସାମ୍ୱାଦିକ ମୃତ୍ୟୁ ତାଲିକାରୁ ତିନି ଗୁଣ ଅଧିକା ହତ୍ୟାକାଣ୍ଡ ଦାବୀ କରିଥାନ୍ତି । ସେମାନଙ୍କ କହିବା ପ୍ରକାରେ ୨୦୨୧ରେ ନଅ ଜଣ ସାମ୍ୱାଦିକ ହତ୍ୟାର ଶୀକାର ହୋଇଥିଲେ । ଜାନୁୟାରୀ ୨୦୨୨ରେ ସେଠାରେ ଅନ୍ୟ ଦୁଇଜଣ ସାମ୍ୱାଦିକଙ୍କୁ ଗୁଳି ଚଳାଇ ହତ୍ୟା କରିବା ନିମନ୍ତେ ଉଦ୍ୟମ କରାଯାଇଥିଲେ ସୁଦ୍ଧା ସେମାନେ ବର୍ତ୍ତିଯାଇଥିଲେ ।


 

ମେସ୍କିକୋର ସାମାଜିକ ପ୍ରେକ୍ଷାପଟ୍ଟ ଊଣାଅଧିକେ ଦକ୍ଷିଣ ଆମେରିକାର ବ୍ରାଜିଲ ଭଳି ଅନ୍ୟାନ୍ୟ ରାଷ୍ଟ୍ରରେ ମଧ୍ୟ ପ୍ରତିଫଳିତ । ଏକପକ୍ଷରେ ରାଜନୀତିରେ ଅପରାଧିକ ତତ୍ତ୍ୱଙ୍କ ପ୍ରବେଶ, ନିଶାଦ୍ରବ୍ୟ ଚାଲାଣ ଓ ଅସାଧୁ ପ୍ରଶାସନିକ କର୍ମଚାରୀଙ୍କ ଦୌରାତ୍ମ୍ୟ ସାଙ୍ଗକୁ ଅପରପକ୍ଷରେ ଅନୁସନ୍ଧାନମୂଳକ ସାମ୍ୱାଦିକତା, ସ୍ଥଳବିଶେଷରେ ତଥ୍ୟ ପ୍ରଘଟନ ଭୟ ଦେଖାଇ ମୂଲଚାଲ ଭଳି ପ୍ରବାହ ଏକ ଜଟିଳ ସାମାଜିକ ପରିବେଶ ସୃଷ୍ଟି କରିଛି । ରାଜନୀତିର ଅପରାଧିକରଣ ଓ ସାମ୍ୱାଦିକତାରେ ନୈତିକତାର ଅଧଃପତନ ବିଭ୍ରାଟ ସୃଷ୍ଟି କରିଥାଏ ଏବଂ ସାଲିସ ବିରୋଧି ସାମ୍ୱାଦିକମାନେ ଦୁଃସ୍ଥିତିର ଶୀକାର ହୋଇଥାନ୍ତି ।


 

‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ ବିଶ୍ୱବ୍ୟାପୀ ସାମ୍ୱାଦିକଙ୍କ ପ୍ରତି ଅସଦାଚ଼ରଣର ବିବରଣୀ ସଂକଳନ କରିଥାଏ । ଯୁକ୍ତରାଷ୍ଟ୍ର ଆମେରିକା ଗଣମାଧ୍ୟମରେ କାର୍ଯ୍ୟରତ କେତେକ ବୈଦେଶିକ ସମ୍ୱାଦ ପରିବେଷଣ କରୁଥିବା ସାମ୍ୱାଦିକ ‘ଫରେନ କରସପଣ୍ଡେଣ୍ଟସ’ଙ୍କ ଉଦ୍ୟମରେ ୧୯୮୧ ମସିହାରେ ଏହି ସଂଗଠନ ସ୍ଥାପିତ ହୋଇଥିଲା । ସେତେବେଳକୁ ଫକଲ୍ୟାଣ୍ଡ ଯୁଦ୍ଧ ଚାଲିଥାଏ ଏବଂ ଆର୍ଜେଣ୍ଟିନା ତିନିଜଣ ବ୍ରିଟିଶ ସାମ୍ୱାଦିକଙ୍କୁ ବନ୍ଦୀ କରି ରଖିଥାଏ । ଏହା ବିରୋଧରେ କମିଟି ପକ୍ଷରୁ ଆନ୍ତର୍ଜାତିକସ୍ତରରେ ୧୯୮୨ରେ ଅଭିଯାନ ଆରମ୍ଭ କରାଯାଇଥିଲା । ଫଳରେ ବନ୍ଦୀ ସମ୍ୱାଦିକମାନେ ମୁକ୍ତ ହୋଇଥିଲେ ।


 

କମିଟିର ପ୍ରାଥମିକ ପଦକ୍ଷେପ ସଫଳତା ପରବର୍ତ୍ତୀ ଅବସ୍ଥାରେ ଏହାର କାର୍ଯ୍ୟପରିସର ଆନ୍ତର୍ଜାତିକସ୍ତରରେ ପ୍ରସାରକୁ ପ୍ରୋତ୍ସାହିତ କରିଥିଲା । ଉତ୍ତର ଓ ଦକ୍ଷିଣ ଆମେରିକା, ୟୁରୋପ, ଏସିଆ ଓ ମଧ୍ୟ-ଏସିଆ ତଥା ଆଫ୍ରିକା ଓ ଉତ୍ତର-ଆଫ୍ରିକାରେ କାର୍ଯ୍ୟାଳୟମାନ ସ୍ଥାପାନ କରାଯାଇ ସାମ୍ୱାଦିକଙ୍କୁ ଅତ୍ୟାଚାରଜନିତ ଘଟଣାବଳୀର ପୁଙ୍ଖନାପୁଙ୍ଖ ଅନୁସନ୍ଧାନ କରି ପୂର୍ଣ୍ଣାଙ୍ଗ ବିବରଣୀ ପ୍ରସ୍ତୁତ ହୋଇଥାଏ । ଏହି ତଥ୍ୟଭିତ୍ତିକ ବିବରଣୀ ଆଧାରରେ ସାମ୍ୱାଦିକଙ୍କ ସୁରକ୍ଷା ଦିଗରେ କମିଟି ସମେତ ଅନ୍ୟାନ୍ୟ ସଂସ୍ଥା ଉଦ୍ୟମ କରିଥାନ୍ତି ।


 

ସାମ୍ୱାଦିକଙ୍କୁ ହଇରାଣ ହରକତ ‘ହାରାସମେଣ୍ଟ’, ଧମକଚମକ ‘ଥ୍ରୀଟେନଡ଼’, ଆକ୍ରମଣ ‘ଏଟାକ’, ଅପହରଣ ‘ଅବଡକ୍ଟ’, ବନ୍ଦୀ ‘ଜେଲ’, ହତ୍ୟା ‘କିଲିଂ’ ତଥା ଯାଞ୍ଚ ‘ସେନସର’ ଇତ୍ୟାଦି ଆକ୍ରୋଶ ଓ ଦମନମୂଳକ ଘଟଣାବଳୀ କମିଟିର ଦୃଷ୍ଟିଆକର୍ଷଣ କରିଥାଏ । ଆକ୍ରାନ୍ତ ସାମ୍ୱାଦିକମାନଙ୍କୁ ଆପତକାଳୀନ ସହାୟତା ଯୋଗାଇବା ସଙ୍ଗେ ରାଷ୍ଟ୍ରୀୟ ତଥା ଆନ୍ତର୍ଜାତିକସ୍ତରରେ ସ୍ୱର ଉତ୍ତୋଳନ ଉଦ୍ୟମ ହୋଇଥାଏ । କମିଟି ପକ୍ଷରୁ ନିଜ କର୍ମଚାରୀଙ୍କ ମାଧ୍ୟମରେ ପ୍ରତ୍ୟେକ ଘଟଣାର ତଦନ୍ତ ଆୟୋଜନ ହୋଇଥାଏ । ସଂଗଠନର କାର୍ଯ୍ୟକ୍ରମ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଅନୁଦାନରେ ସମାହିତ ହୁଏ ଏବଂ କୌଣସି ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ ଗ୍ରହଣ କରାଯାଏ ନାହିଁ ।


 

କମିଟିର ୨୦୨୧ ରିପୋର୍ଟ ଅନୁଯାୟୀ ୨୦୨୦ ବର୍ଷକ ମଧ୍ୟରେ ବିଶ୍ୱବ୍ୟାପୀ ୨୭ଜଣ ସାମ୍ୱାଦିକଙ୍କୁ ହତ୍ୟା କରାଯାଇଥିଲା । ସେଥିମଧ୍ୟରେ ଭାରତର ଚାରି ଓ ମେକ୍ସିକୋରେ ତିନିଗୋଟି ସାମ୍ୱାଦିକ ହତ୍ୟାକାଣ୍ଡ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ମେକ୍ସିକୋରେ ୬ ଗୋଟି ସହ ବିଶ୍ୱବ୍ୟାପୀ ୧୮ଗୋଟି ସାମ୍ୱାଦିକ ହତ୍ୟାକାଣ୍ଡର କମିଟି ପକ୍ଷରୁ ତଦନ୍ତ ରିପୋର୍ଟ ପ୍ରକାଶ ବେଳକୁ ବିଚାରାଧିନ ରହିଥିଲା । ପୂର୍ବ ବର୍ଷ ୨୦୨୦ରେ ୩୨ ଜଣ ସାମ୍ୱାଦିକଙ୍କୁ ହତ୍ୟା କରାଯାଇଥିଲା । କମିଟି ପକ୍ଷରୁ ୧୯୯୯ରୁ କ୍ରମାଗତଭାବେ ସାମ୍ୱାଦିକଙ୍କୁ ହତ୍ୟାର ପର୍ଦ୍ଦାଫାଶ କରାଯାଇ ଆସିଛି ।


 

‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ର କାର୍ଯ୍ୟଶୈଳୀରୁ ଆମ ଦେଶ ଓ ରାଜ୍ୟର ଆଞ୍ଚଳିକସ୍ତରରୁ ଆରମ୍ଭ କରି ରାଷ୍ଟ୍ରୀୟସ୍ତରର ସାମ୍ୱାଦିକ ସଂଗଠନଗୁଡ଼ିକ ଗୋଟିଏ କଥା ଶିଖିବାର ଅଛି ଯେ କୌଣସି ସ୍ତରରେ ସାମ୍ୱାଦିକ ଆକ୍ରୋଶର ଶୀକାର ହେଲେ ତାହା ପୀଡ଼ିତ ସାମ୍ୱାଦିକ ନିଜ ସତୀର୍ଥଙ୍କ ସହଯୋଗରେ ଲିପିବଦ୍ଧ ପୂର୍ଣ୍ଣାଙ୍ଗ ବିବରଣୀ ‘ରିପୋର୍ଟ’ ପ୍ରସ୍ତୁତ କରିବା ପ୍ରାଥମିକ ପଦକ୍ଷେପ । ଏହି ବିବରଣୀରେ ସାଧ୍ୟମତେ ପ୍ରମାଣ ଉଭୟ ଦଲିଲ, ଅଡ଼ିଓ ଓ ଭିଡ଼ିଓ ରେକର୍ଡିଂ ସନ୍ନିବଶତ ହେବା ବିଧେୟ । ବିବରଣୀ ପ୍ରସ୍ତୁତ ହେବା ମାତ୍ରେ ଅନ୍ତତଃପକ୍ଷେ ବିନାମୂଲ୍ୟରେ ବ୍ୟବହାର କରିହେଉଥିବା ବ୍ଳଗପୋଷ୍ଟ ମାଧ୍ୟମରେ ଅନଲାଇନରେ ଉପଲବ୍ଧ ହେବା ଆବଶ୍ୟକ ।


 

ବିବରଣୀ ଅନଲାଇନରେ ପ୍ରକାଶନର ତିନିଗୋଟି ଉଲ୍ଲେଖନୀୟ ଉପାଦେୟତା ମଧ୍ୟରୁ ପ୍ରଥମତଃ, ଯେକୌଣସି ବ୍ୟକ୍ତି ଖବର ପାଇବା ମାତ୍ରେ ପ୍ରକୃତ ଘଟଣା ସଂପର୍କରେ ଅବଗତ ହୋଇପାରିବ ଏବଂ ଏହା ସଂପୃକ୍ତ ବ୍ୟକ୍ତିଙ୍କ ପରବର୍ତ୍ତୀ କାର୍ଯ୍ୟଧାରାକୁ ନିୟନ୍ତ୍ରିତ କରିପାରିବ । ଅନେକ ସମୟରେ ସତ୍ୟ-ଅସତ୍ୟର ଲୁଚ଼କାଳି ମଧ୍ୟରେ ସତ୍ୟ ନିଷ୍ପ୍ରଭ ହୋଇଯାଏ । ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ସାଧାରଣ ବ୍ୟକ୍ତିର ସ୍ୱର ବହୁଳ ମାତ୍ରାରେ ପ୍ରତିଧ୍ୱନିତ ହୋଇପାରେ ନାହିଁ । କିନ୍ତୁ ଅନଲାଇନରେ ବିବରଣୀ ଉପଲବ୍ଧ ହେଲେ ସତ୍ୟ ପ୍ରକାଶର ଅନ୍ତତଃପକ୍ଷେ ସର୍ବାପେକ୍ଷା ବିଶ୍ୱସନୀୟ ସୂତ୍ର ସର୍ବସାଧାରଣରରେ ଉନ୍ମୋଚିତ ହୋଇପାରିବ ।


 

ଦ୍ୱିତୀୟତଃ, ଆମଦେଶରେ ଗ୍ରାମାଞ୍ଚଳରେ ହଇରାଣ ହରକତ ହେଉଥିବା ସାମ୍ୱାଦିକମାନଙ୍କ ସ୍ୱର ପ୍ରାୟତଃ ରାଜ୍ୟ, ରାଷ୍ଟ୍ର ବା ଆନ୍ତର୍ଜାତିକସ୍ତରରେ ପହଞ୍ଚିପାରେ ନାହିଁ । ଗ୍ରାମପଞ୍ଚାୟତସ୍ତରରେ ସାମ୍ୱାଦିକଙ୍କ ସୁରକ୍ଷା ଗୁଣାତ୍ମକ ଗଣମାଧ୍ୟମ ପରିପ୍ରକାଶରେ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ଅତଏବ ଗ୍ରାମାଞ୍ଚଳର ସାମ୍ୱାଦିକମାନେ ଧମକଚମକ ସମ୍ମୁଖୀନ ହେବା ସମୟରୁହିଁ ଅନଲାଇନରେ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିପାରିଲେ ସମ୍ଭାବ୍ୟ ବିପଦକୁ କେତେକାଂଶରେ ଏଡ଼ାଇ ଦେବା ବିଚାର କରାଯାଇପାରେ । ଏଦିଗରେ ଗ୍ରାମାଞ୍ଚଳ ସାମ୍ୱାଦିକମାନେ ସାମାନ୍ୟ ତାଲିମ ଗ୍ରହଣ କରି ନିଜକୁ ସଶକ୍ତ ‘ଏମପାୱାରଡ଼’ କରିବା ଆବଶ୍ୟକ ।

 

ତୃତୀୟତଃ, ପରିବର୍ତ୍ତିତ ପରିବେଶରେ ସାମ୍ୱାଦିକ ସଂଗଠନଗୁଡ଼ିକ ପକ୍ଷରୁ ନିଜ ସଭ୍ୟମାନେ ହଇରାଣ ହରକତ ହେଉଥିବା ସମ୍ୱାଦ ତତ୍ କ୍ଷଣାତ ‘ରିଅଲ ଟାଇମ’ରେ ଉଭୟ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ‘ଟେକ୍ସଟ, ଅଡ଼ିଓ ଓ ଭିଡ଼ିଓ’ ମାଧ୍ୟମରେ ନିଜସ୍ୱ ୱେବସାଇଟରେ ପ୍ରକାଶ କରିବା, ଅନ୍ତତଃ ତ୍ରୟମାସିକଭିତ୍ତିରେ ରିପୋର୍ଟ ପ୍ରସ୍ତୁତ କରିବା ଏବଂ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସାମ୍ୱାଦିକ ସଂଗଠନଗୁଡ଼ିକ ସହ ତଥ୍ୟ ବିନିମୟ ଆରମ୍ଭ କରିବା ସମୟ ଉପନୀତ । ଗ୍ରାମାଞ୍ଚଳ ଓ ନାଗରିକ ସାମ୍ୱାଦିକମାନଙ୍କୁ ତଥ୍ୟ ସଂକଳନ ‘ଡକ୍ୟୁମେଣ୍ଟେସନ’ ଦିଗରେ ସାଧାରଣ କଳାକୌଶଳ ତାଲିମ ଦେବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆୟୋଜନ ପ୍ରାଥମିକତା ଦାବୀ କରେ ।                 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଫେବୃୟାରୀ ୨୦୨୨


ତଥ୍ୟ:


 

Dunnam, Jennifer. Attack on press : The deadliest countries in 2021. The Guardian. January 19, 2022.


 

https://cpg.org/reports/2022/01/attacks-on-the-press-the-deadlist-countries-in-2021


 

Agren, David. ‘We only have a pen’ : Fury as fourth journalist killed on Maxico this year. January 31, 2022.


 

https://www.theguardian.com/world/2022/jan/31/maxico-fourth-journalist-killed-roberto-toledo

ସମ୍ୱାଦ ଓ ଅଭିମତ ସମ୍ପାଦନା

ମୁଦ୍ରିତ ସମ୍ୱାଦ ମଞ୍ଚର ଉନ୍ମେଷରେ ୟୁରୋପୀୟ ପୁର୍ନଜାଗରଣ ଅବସରରେ ଆଧୁନିକ ଗଣମାଧ୍ୟମ ଧାରା ବିକଶିତ ହୋଇଥିଲା । ମୁଦ୍ରଣ ଯନ୍ତ୍ର ପ୍ରଚଳନରେ କାଗଜରେ ପାଠ୍ୟ ଓ ଚ଼ିତ୍ର ସର୍ବସାଧାରଣରେ ବିତରଣ ପ୍ରକ୍ରିୟା ସ୍ଥାନୀୟ ପ୍ରଶାସନ, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ମନୋରଞ୍ଜନ ବିଭିନ୍ନ ସାମାଜିକ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିଲା । ଶିଶା-ଅକ୍ଷର ଯୋଗେ ମୁଦ୍ରଣ କଳାକୌଶଳ ଉଦ୍ଭାବନ ହେବା ପରେ ବିଶ୍ୱବ୍ୟାପୀ ପ୍ରସାର ନିମନ୍ତେ ଦୁଇ ଶହ ବର୍ଷ ଆବଶ୍ୟକ ପଡିଥିଲା ଏବଂ ପ୍ରଥମ ବିଶ୍ୱଯୁଦ୍ଧ ଶେଷରେ ରେଡ଼ିଓ ତଥା ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷରେ ଟେଲିଭିଜନ ପ୍ରସାର ବ୍ୟାପ୍ତି ଯାଏଁ ତିନିଶହ ବର୍ଷ ଧରି ଗଣମାଧ୍ୟମରେ ପ୍ରଭୁତ୍ୱ ବଜାୟ ରଖିଥିଲା ।

 

ମୁଦ୍ରିତ ସମ୍ୱାଦ ମଞ୍ଚରେ ସମ୍ୱାଦ, ଅଭିମତ ଓ ବିଜ୍ଞାପନ ପ୍ରକାଶନ କାଳରେ ମୂଳରୁ ସମ୍ପାଦନାର ଗୁରୁତ୍ୱ ଉପଲବ୍ଧି କରାଯାଇଥିଲା । ସମ୍ୱାଦପତ୍ର ପ୍ରକାଶନ-ପୂର୍ବ ଅବସ୍ଥାରେ ୟୁରୋପ ଓ ବ୍ରିଟେନରେ ସମ୍ୱାଦ ପୁସ୍ତିକା ‘ନିଉଜ ବୁକ୍ସ’ ଲୋକପ୍ରିୟତା ହାସଲ କରିଥିଲା । ନିଉଜ ବୁକ୍ସରେ ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ଘଟଣାର ବିଶଦ ବିବରଣୀ ପ୍ରକାଶିତ ହେଉଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏକାଧିକ ବିବରଣୀ ଏକତ୍ର ସ୍ଥାନିତ ହେବା ଧାରା କ୍ରମଶଃ ସମ୍ୱାଦପତ୍ର ପୃଷ୍ଠା ‘ବ୍ରଡ଼ସିଟ’ରେ ପରିଣତ ହୋଇଥିଲା ।

 

ନିଉଜ ବୁକ୍ସରେ ମୁଖ୍ୟତଃ ଚାଞ୍ଚଲ୍ୟକର ଗୁଜବ ପ୍ରକାଶନକୁ ପ୍ରାଧାନ୍ୟ ଦିଆଯାଉଥିଲା । କ୍ରମଶଃ ରାଜପରିବାରଙ୍କ ବ୍ୟକ୍ତିଗତ ଘଟଣାବଳୀ ମଧ୍ୟ ଚର୍ଚ୍ଚିତ ହେବାରେ ଲାଗିଥିଲା । ଏକ ଘଟଣାକ୍ରମରେ ଜଣେ ୟୁରୋପୀୟ ରାଜପରିବାରଙ୍କ ଅଭିଯୋଗକ୍ରମେ ବ୍ରିଟେନରେ ‘ଷ୍ଟାର ଚ଼େମ୍ୱର’ ନାମିତ ମୁଦ୍ରଣ-ପୂର୍ବ ଯାଞ୍ଚ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଫଳରେ ଯେକୌଣସି ବିଷୟ ମୁଦ୍ରିତ ହେବା ପୂର୍ବରୁ ରାଜ-ମୁଦ୍ରଣାଳୟ ‘ଷ୍ଟେସନାରୀ କମ୍ପାନୀ’ ନିକଟରେ ଉପସ୍ଥାପନ କରି ଅନୁମତି ନେବାକୁ ପଡୁଥିଲା । ଗଣମାଧ୍ୟମ ଉପଯୋଗ କ୍ଷେତ୍ରରେ ଏହାକୁ ଅନ୍ୟତମ ପ୍ରାଚୀନତମ ଆଇନ ବିଚାର କରାଯାଏ ।

 

ପ୍ରଶ୍ନ ଉଠେ ‘ଷ୍ଟାର ଚେମ୍ୱର’ ମାଧ୍ୟମରେ ପ୍ରକାଶନ-ପୂର୍ବ ଯାଞ୍ଚ ବ୍ୟବସ୍ଥା ଆବଶ୍ୟକତା ଥିଲା କି ? ସର୍ବସାଧାରଣରେ ବୈଦେଶିକ ବନ୍ଧୁ ରାଷ୍ଟ୍ରର ରାଜପରିବାରଙ୍କୁ ନିନ୍ଦିତ କରିବା ଯେ ଅରୁଚ଼ିକର ଏଥିରେ କେହି ଅସମ୍ମତ୍ତ ହେବେ ନାହିଁ । କିନ୍ତୁ ‘ଷ୍ଟାର ଚେମ୍ୱର’ ପ୍ରଚଳନ ଫଳରେ ଗଣମାଧ୍ୟମର ପ୍ରସାର ପ୍ରତିହତ ହୋଇଥିଲା ଏବଂ କିଛି କାଳପରେ ଆଇନଟି ପ୍ରତ୍ୟାହାର କରିନେବାପରେ ବ୍ରିଟେନରେ ସାମ୍ୱାଦିକତାର କ୍ରମବିକାଶ ଘଟିଥିଲା । ଏହି ଉଦାହରଣରୁ ସୁସ୍ପଷ୍ଟ ଯେ ପ୍ରଥମରେ ସମ୍ୱାଦ ମଞ୍ଚରେ ସମ୍ୱାଦ, ଅଭିମତ ଓ ବିଜ୍ଞାପନ ପ୍ରକାଶନରେ ସଂଯମ ଆବଶ୍ୟକ । ଦ୍ୱିତୀୟରେ ସାମ୍ୱାଦିକତା ଉଚ୍ଛୃଙ୍ଖଳ ହେଲେ ପ୍ରଶାସନିକ କଟକଣା ଆପାତତଃ ଲାଗୁ ହୋଇଥାଏ । ତୃତୀୟରେ ଯେକୌଣସି ଧରଣର କଟକଣା ସମ୍ୱାଦିକତାରେ ମୁକ୍ତ ପ୍ରସାରରେ କଣ୍ଟକ ସାଜିଥାଏ ।

 

ସମ୍ୱାଦ ମଞ୍ଚ ପରିଚାଳନା ନିମନ୍ତେ ଅଭିଜ୍ଞ ଓ ବୃତ୍ତିଧାରୀ ସମ୍ପାଦକମାନେ ନିଯୁକ୍ତ ହୋଇଥାନ୍ତି । ସମ୍ୱାଦର ସତ୍ୟତା ପରଖିବା, ଗୁଣବତ୍ତା ବିକାଶ ଏବଂ ସାମାଜିକ ପ୍ରଭାବକୁ ନିୟନ୍ତ୍ରଣ କରିବା ସମ୍ପାଦକ ମଣ୍ଡଳୀଙ୍କ ଦାୟିତ୍ୱ । ମୁଦ୍ରିତ ସମ୍ୱାଦ ମଞ୍ଚରେ କ୍ରମବିକଶିତ ଏହି ଧାରା ରେଡ଼ିଓ, ଟେଲିଭିଜନ ଓ ଡିଜିଟାଲ ସମ୍ୱାଦ ମଞ୍ଚରେ ସମଭାବେ ପ୍ରତିଫଳିତ । ବିକଶିତ ରାଷ୍ଟ୍ରଗୁଡ଼ିକରେ ସାମ୍ୱାଦିକତାର ଗୁଣବତ୍ତା ସୁରକ୍ଷା ନିମନ୍ତେ ବୃତ୍ତିଗତ ସଂଗଠନଗୁଡ଼ିକ ପକ୍ଷରୁ ଉଦ୍ୟମ ହୋଇଥାଏ । ଭାରତରେ ମଧ୍ୟ ଟେଲିଭିଜନ ସମ୍ୱାଦ ମଞ୍ଚ କ୍ଷେତ୍ରରେ ଏଭଳି ବୃତ୍ତିଗତ ସଂଗଠନ ଦାୟିତ୍ୱ ସଂଭାଳୁଥିବା ସ୍ଥଳେ ଡିଜିଟାଲ ସମ୍ୱାଦ ମଞ୍ଚ ନିମନ୍ତେ ଆୟୋଜନ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ସମ୍ୱାଦମଞ୍ଚଗୁଡ଼ିକ ଆତ୍ମନିୟନ୍ତ୍ରଣରେ ପରାକାଷ୍ଠା ପ୍ରଦର୍ଶନ କରିପାରିଲେ ପ୍ରଶାସନିକ ହସ୍ତକ୍ଷେପକୁ ରୋକାଯାଇପାରିବ ବୋଲି ବିଶ୍ୱାସ କରାଯାଏ ।

 

ଏହି ପୃଷ୍ଠଭୂମିରେ ୨୦୨୨ ଜୁନ ପ୍ରଥମ ସପ୍ତାହରେ ଏକ ଭାରତୀୟ ଇଂଲିଶ ଟେଲିଭିଜନ ଚ୍ୟାନେଲରେ ବିତର୍କ ‘ଡ଼ିବେଟ’ ସଂପର୍କୀତ ଅଭିମତ କାର୍ଯ୍ୟକ୍ରମରେ ଜଣେ ନିର୍ଦ୍ଦିଷ୍ଟ ଧର୍ମଗୁରୁଙ୍କ ସଂପର୍କରେ ରାଜନୀତିକ ଦଳର ମୁଖପାତ୍ରଙ୍କ ଟିପ୍ପଣୀକୁ ନେଇ ଦେଶ-ବିଦେଶରେ ଅସନ୍ତୋଷ ପ୍ରକାଶ ବିଚାର୍ଯ୍ୟ । ଏହି ଉଦାହରଣରେ କେତେଗୋଟି ଦିଗ ଗଣମାଧ୍ୟମ ସମୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ପ୍ରଥମତଃ, ଯଦି ବିତର୍କଟି ‘ଲାଇଭ ଡ଼ିବେଟ’ ହୋଇଥାଏ ତେବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ନିମନ୍ତ୍ରିତ ବ୍ୟକ୍ତିବିଶେଷ କ’ଣ କହିବେ ସେ ସଂପର୍କରେ କାର୍ଯ୍ୟକ୍ରମ ସମ୍ପାଦକ ଅଜ୍ଞ । ଦ୍ୱିତୀୟତଃ, ଲାଇଭ ଡ଼ିବେଟରେ ସମ୍ପାଦକଙ୍କୁ ଅନଲାଇନରେ ତତକ୍ଷଣାତ କୌଣସି ମନ୍ତବ୍ୟ ବାଦ ଦେବା ‘ଡ଼ିଲିଟ’ ନିମନ୍ତେ ସୁଯୋଗ ସୁବିଧା ସୀମିତ । ତୃତୀୟତଃ, ବିତର୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ନିଜ ଅଭିମତରେ ବଦ୍ଧପରିକର ଏବଂ ସେଥିରେ ସମ୍ପାଦନାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ ।

 

ଅପରପକ୍ଷେ ଆଲୋଚ୍ୟ ଘଟଣାକ୍ରମରେ ବିତର୍କରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିବିଶେଷ ନିଜ ମନ୍ତବ୍ୟ ନିମନ୍ତେ କ୍ଷମାପ୍ରାର୍ଥନା କରିବା ଓ କାହାରିପ୍ରତି ଅସମ୍ମାନ ପ୍ରଦର୍ଶନର ଅଭିପ୍ରାୟ ନଥିବା ସ୍ୱୀକାର କରି କୈଫିୟତ ଦେବା ତଥା ସଂପୃକ୍ତ ମୁଖପାତ୍ରଙ୍କ ଆଚ଼ରଣ ନିମନ୍ତେ ତାଙ୍କୁ ରାଜନୀତିକ ଦଳରୁ ନିଳମ୍ୱିତ କରାଯାଇଥିବା ସତ୍ତ୍ୱେ ବିବାଦର ଅନ୍ତ ଘଟୁନାହିଁ । ପ୍ରତିବାଦର ସ୍ୱର ସୀମାପାର ହେବା ଅବସରରେ ବାଣିଜ୍ୟ-ବ୍ୟବସାୟ ଓ ଦେଶାନ୍ତର ଶ୍ରମିକଙ୍କ ଉପରେ ନକାରାତ୍ମକ ପ୍ରଭାବ ଆଶଙ୍କା କରାଯାଉଛି । ଏକ ଟେଲିଭିଜନ ବିତର୍କକୁ କେନ୍ଦ୍ରକରି ଏ ଧରଣର ସାମାଜିକ ବିଶୃଙ୍ଖଳା ଓ ଅର୍ଥନୀତିକ ବିପର୍ଯ୍ୟୟକୁ ସହଜରେ ଗ୍ରହଣ କରିହେଉନାହିଁ ।

 

ଆଲୋଚ୍ୟ ଘଟଣାକୁ ନେଇ ‘ଦି ଏଡିଟରସ ଗିଲଡ଼ ଅଫ ଇଣ୍ଡିଆ’ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଏକ ଲିଖିତ ବକ୍ତବ୍ୟରେ କେତେକ ଜାତୀୟ ଟେଲିଭିଜନ ଚ୍ୟାନେଲ ପକ୍ଷରୁ ଉଦ୍ଦେଶ୍ୟମୂଳକଭାବେ ଉତ୍ତେଜନା ସୃଷ୍ଟି ନିମନ୍ତେ ଉଦ୍ୟମ ଅଭିଯୋଗ କରାଯାଇଥିଲା । ଗିଲଡ଼ର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷକଙ୍କ ମିଳିତ ସ୍ୱାକ୍ଷରଥିବା ଦଲିଲରେ କେତେକ ଟେଲିଭିଜନ ଚ୍ୟାନେଲଙ୍କ ଦର୍ଶକ ସଂଖ୍ୟା ବୃଦ୍ଧି ଓ ତତ୍ ଜନିତ ଆର୍ଥିକ ଲାଭକୁ ଦୃଷ୍ଟିରେ ରଖି ମନ୍ଦ ଅଭ୍ୟାସକୁ ‘ରେଡ଼ିଓ ରାୱାଣ୍ଡା’ ସହ ତୁଳନା କରି ତାଚ୍ଛଲ୍ୟ କରିଥିଲେ ।

 

‘ରେଡ଼ିଓ ରାୱାଣ୍ଡା’ ଉଦାହରଣ ଗଣମାଧ୍ୟମ ନିୟୋଜନରେ ସାମାଜିକ ବିଶୃଙ୍ଖଳାକୁ ବୁଝାଇଥାଏ । ସରକାରୀ ପରିଚାଳିତ ‘ରେଡ଼ିଓ ରାୱାଣ୍ଡା’ ଏବଂ ଶାସକ ଦଳ ପ୍ରୋତ୍ସାହିତ ଘରୋଇ ‘ଆରଟି ଏଲଏମ’ ନାମକ ଦୁଇଗୋଟି ରେଡ଼ିଓ ପ୍ରସାରକ ୧୯୯୩ ଓ ୧୯୯୪ରେ ଆଫ୍ରିକୀୟ ରାଷ୍ଟ୍ର ରାୱଣ୍ଡାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ବିଷୋଦଗାର ହେତୁ ସଂଗଠିତ ନରସଂହାରରେ ଆଠ ଲକ୍ଷ ନିହତ ହୋଇଥିଲେ । ଗଣମାଧ୍ୟମର ନକାରାତ୍ମକ ଇତିହାସରେ ଏହି ଉଦାହରଣର ପଟାନ୍ତର ନାହିଁ ।

 

ସମ୍ୱାଦ ଓ ଅଭିମତ ସଂଶୋଧନ ନିମନ୍ତେ ପାରମ୍ପରିକ ଗଣମାଧ୍ୟମରେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ । ଏହି କାର୍ଯ୍ୟ ସମ୍ପାଦନ ନିମନ୍ତେ ବୃତ୍ତିଧାରୀମାନେ ନିୟୋଜିତ । ଅନ୍ୟପକ୍ଷେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ସୋସିଆଲ ମିଡ଼ିଆର ବ୍ୟାପ୍ତି ସମ୍ୱାଦ, ଅଭିମତ ଓ ବିଜ୍ଞାପନ ବିତରଣ କ୍ଷେତ୍ରରେ ମଧ୍ୟସ୍ଥି ସମ୍ପାଦକ ଓ ପ୍ରକାଶକଙ୍କ ଭୂମିକା ବିଲୋପ କରୁଥିବା ତଥା ସମ୍ୱାଦ ପ୍ରସାରଣରରେ ଯାନ୍ତ୍ରିକ ପଦ୍ଧତି ଉପଯୋଗ ବିକାଶ ହେତୁ ସମାଜରେ ଚ଼ରମପନ୍ଥୀ ‘ପୋଲାରାଇଜେସେନ’ ସଂସ୍କୃତି ସାମାଜିକ ବିପତ୍ତିର କାରଣ ପାଲଟିଲାଣି । ଏହି ଘଡ଼ିସନ୍ଧି କାଳରେ ଗଣମାଧ୍ୟମରେ ଆତ୍ମ-ନିୟନ୍ତ୍ରଣ ସର୍ବାପେକ୍ଷା ଶ୍ରେୟସ୍କର ବିଚାର କରାଯାଉଥିବା ସ୍ଥଳେ ଆତ୍ମ-ନିୟନ୍ତ୍ରଣ ଶୃଙ୍ଖଳାକୁ ଶକ୍ତିଶାଳୀ କରିବାକୁ ଉଦ୍ୟମ ସମୟର ଆହ୍ୱାନ ।

 

ଭାରତରେ ୨୦୨୨ ସୁଦ୍ଧା ଟେଲିଭିଜନ ମଞ୍ଚ ସମ୍ୱାଦ ବିତରଣରେ ପ୍ରମୁଖ ସ୍ଥାନ ଅଧିକାର କରୁଥିବା କାରଣରୁ ପ୍ରଥମତଃ, ଲୋକପ୍ରିୟ ଟେଲିଭିଜନ ଅଭିମତ ସମ୍ୱଳିତ ବିତର୍କଗୁଡ଼ିକ ଚଳନ୍ତି ପ୍ରସାରଣ ‘ଲାଇଭ ବ୍ରଡ଼କାଷ୍ଟ’ ବଦଳରେ ପୂର୍ବ-ପ୍ରସ୍ତୁତ ପ୍ରସାରଣ ‘ରେକର୍ଡଡ ବ୍ରଡ଼କାଷ୍ଟ’ରେ ରୂପାନ୍ତରିତ ହେଲେ ସମ୍ପାଦନା ନିମନ୍ତେ ସୁଯୋଗ ସୁବିଧା ସୃଷ୍ଟି କରାଯାଇପାରେ । ଦ୍ୱିତୀୟତଃ, ଗଣମାଧ୍ୟମରେ ପ୍ରକାଶିତ କାର୍ଯ୍ୟକ୍ରମର ଗୁଣବତ୍ତା ସମୀକ୍ଷା ନିମନ୍ତେ ବୃତ୍ତିଗତ ସଂଗଠନ ଓ ନାଗରିକ ସମାଜ ପକ୍ଷରୁ ରୀତିମତ ଉଦ୍ୟମ ହେବା ଆବଶ୍ୟକ । ଏଥିନିମନ୍ତେ ସରକାରୀ ଓ ବେସରକାରୀସ୍ତରରେ ନିବେଶ କରାଯାଇପାରେ । ତୃତୀୟତଃ, ସାମ୍ୱାଦିକତାରେ ଗୁଣାତ୍ମକ ବିକାଶ ନିମନ୍ତେ ସମୟାନ୍ତେ ପ୍ରତ୍ୟେକ ସମ୍ୱାଦ-କର୍ମୀ ତାଲିମ ଆବଶ୍ୟକ କରନ୍ତି । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଦଶ-କୋଡ଼ିଏ ବର୍ଷ ପୂର୍ବେ ଶିଖିଥିବା କଳାକୌଶଳ ଉପଯୋଗରେ ସାମ୍ୱାଦିକତାର ଉତ୍କର୍ଷ ବିକାଶ ଅସଂଭବ । ଏଦିଗରେ ସମ୍ୱାଦ ମଞ୍ଚ, ବୃତ୍ତିଗତ ସଂଗଠନ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ପକ୍ଷରୁ କାର୍ଯ୍ୟକ୍ରମ ପ୍ରଯୋଜନା କରାଗଲେ ବହୁ ବିଶୃଙ୍ଖଳାର ସମାଧାନ ଯେ ସଂଭବ ଏଥିରେ ସନ୍ଦେହ ନାହିଁ ।                  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୨୨

ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶ

ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ସମ୍ୱାଦ ମଞ୍ଚଗୁଡ଼ିକର ଭିଡ଼, ମୁଖ୍ୟତଃ ସୋସିଆଲ ମିଡ଼ିଆର ବ୍ୟାପ୍ତି ପରବର୍ତ୍ତୀ ଅବସ୍ଥାରେ ଉପଭୋକ୍ତାମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶ ଗୁରୁତ୍ୱ ବହନ କରିଥାଏ । ପାରମ୍ପରିକ ମଞ୍ଚଗୁଡ଼ିକ ମଧ୍ୟରେ ମୁଦ୍ରିତ ଦୈନିକ ସମ୍ୱାଦପତ୍ର ପାଠକ ହରାଇବା ଆଶଙ୍କା କ୍ରମଶଃ ଦୃଢ଼ୀଭୂତ ହେଉଥିବା କାରଣରୁ ଏଭଳି ମଞ୍ଚରେ ସମ୍ୱାଦ ପରିବେଷଣ ଧାରା ସଶକ୍ତିକରଣ ଜରୁରୀ ।


 

ଦୀର୍ଘକାଳ ଧରି ମୁଦ୍ରିତ ସମ୍ୱାଦପତ୍ରର ବିକଳ୍ପ ଅଭାବ ହେତୁ ସମ୍ୱାଦ ପରିବେଷଣର ଧାରା ପ୍ରାୟତଃ ସ୍ଥାଣୁ ରହିଆସିଥିଲା । ରେଡ଼ିଓ ଓ ଟେଲିଭିଜନ ନିର୍ଦ୍ଦିଷ୍ଟ ସମୟସୀମାରେ ସମ୍ୱାଦ ପ୍ରସାରଣ, ପ୍ରସାରଣ ପର ଅବସ୍ଥାରେ ସ୍ଥାୟୀତ୍ୱ ‘ପରମାନେନ୍ସ’ ଅଭାବ ଏବଂ ସୀମିତ ଅବୟବ ‘ସର୍ଟ ଷ୍ଟ୍ରକଚର’ ସମ୍ୱାଦପତ୍ରର ଗୁରୁତ୍ୱ ହ୍ରାସ କରିବାରେ ସକ୍ଷମ ହୋଇ ପାରିନଥିଲା । ତେବେ ଇଣ୍ଟରନେଟର ବ୍ୟାପ୍ତିପରେ ସୋସିଆଲ ମିଡ଼ିଆ ମୁଦ୍ରିତ ସମୟ ଓ ଆକାର ସୀମାପାର ଦୀର୍ଘସ୍ଥାୟୀ ସମ୍ୱାଦ ପରିବେଷଣଲାଗି ମଞ୍ଚ ସୃଷ୍ଟି କରିବାପରେ ମୁଦ୍ରିତ ସମ୍ୱାଦପତ୍ର କ୍ରମଶଃ ଗୁରୁତ୍ୱ ହରାଇ ବସୁଛି ।


 

ଇଣ୍ଟରନେଟ ମଞ୍ଚରେ ପାଠ୍ୟ ସାଙ୍ଗକୁ ସ୍ୱର‘ଅଡ଼ିଓ’ ଓ ଦୃଶ୍ୟ ‘ଭିଡ଼ିଓ’ ସଂଯୋଗ ସମ୍ୱାଦ ପରିବେଷଣ ନିମନ୍ତେ ସ୍ୱତନ୍ତ୍ର ସୁଯୋଗ ସୃଷ୍ଟି କରିଥିବା ସ୍ଥଳେ ବୃତ୍ତିଧାରୀ ସାମ୍ୱାଦିକଙ୍କ ସହ ଅସଂଖ୍ୟ ନାଗରିକ ସାମ୍ୱାଦିକଙ୍କ ସମ୍ୱାଦ ପରିବେଷଣରେ ଯୋଗଦାନ ପ୍ରସାରଣ ପରିସରକୁ ପ୍ରଶସ୍ତ କରିପାରିଛି । ଏତଦ୍ ବ୍ୟତୀତ ସମ୍ୱାଦ ସହ ବିଭିନ୍ନ ତଥ୍ୟ ଭଣ୍ଡାର ‘ଡ଼ାଟା ସେଣ୍ଟର’ ସଂଯୋଗ ସ୍ଥାପନ, ଘଟଣାରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଜୀବନ୍ତ ଚ଼ିତ୍ରୋତ୍ତଳନ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଭୂତି ବର୍ଣ୍ଣନା ସାମ୍ୱାଦିକତାରେ ନୂତନ ଦିଗନ୍ତ ଉନ୍ମୋଚନ କରିଛି । ଅତଏବ ମୁଦ୍ରିତ ସମ୍ୱାଦପତ୍ର ନିଜ ଅସ୍ଥିତ୍ୱ ବଜାୟ ରଖିବାଲାଗି ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶକୁ ଅଗ୍ରାଧିକାର ଦେବାକୁ ପଡ଼ିବ ।


 

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ କେଉଁ ପଦକ୍ଷେପମାନ ଗ୍ରହଣ କରିପାରିବେ ତାହା ବିଚାର କରାଯାଇପାରେ । ସମ୍ୱାଦ ସଂଗ୍ରହ ଓ ରଚନା ସମ୍ୱାଦଦାତାଙ୍କକାର୍ଯ୍ୟପରିସରରେ ଆସୁଥିବା ବେଳେ ସମ୍ପାଦକମାନେ ପ୍ରସ୍ତୁତ ସମ୍ୱାଦ ସଂଶୋଧନ ଓ ପୁନଃଲିଖନ କରିଥାନ୍ତି । ଓଡ଼ିଆ ସମ୍ୱାଦପତ୍ର କ୍ଷେତ୍ରରେ ବେତନଭୋଗୀ ସମ୍ୱାଦଦାତାଙ୍କ ସଂଖ୍ୟା କମ ଏବଂ ଅଧିକାଂଶ ସଂବାଦଦାତା ଅବୈତନିକ କିମ୍ୱା ସାମାନ୍ୟ ପାରିତୋଷିକରେ ନିଯୁକ୍ତ ।


 

ପ୍ରଥମତଃ, ଏହି ଦୁଇ ବର୍ଗର ସାମ୍ୱାଦିକଙ୍କୁ ଗୁଣାତ୍ମକ ସମ୍ୱାଦ ପ୍ରଯୋଜନା ନିମନ୍ତେ ତାଲିମ ଦେବାକୁ ପଡ଼ିବ । ସେମାନେ ଦୀର୍ଘକାଳ ଧରି ସମ୍ୱାଦ ରଚନାରେ ସଂପୃକ୍ତ ଥିବା ହେତୁ ଗୁଣାତ୍ମକ ସାମ୍ୱାଦିକତାର କଳାକୌଶଳ ପ୍ରେରଣାତ୍ମକ ‘ମୋଟିଭେସନାଲ’ ଏବଂ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ଅଭିଜ୍ଞଙ୍କ ସହାୟତା ‘ହେଣ୍ଡ-ହେଲଡ଼-ସପୋର୍ଟ’ ପ୍ରଣାଳୀ ଅବଲମ୍ୱନରେ ଅନ-ଲାଇନ ସୁବିଧାସୁଯୋଗ ବ୍ୟବହାର କରି ତାଲିମ ଦିଆଯାଇପାରେ ।


 

ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ପାଠ୍ୟକ୍ରମ ପ୍ରସ୍ତୁତ କରି ବରିଷ୍ଠ ସାମ୍ୱାଦିକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଲିମ ପ୍ରଦାନ ବ୍ୟବସ୍ଥା ସଂଭବପର । ବୃତ୍ତିଧାରୀ ସାମ୍ୱାଦିକମାନଙ୍କୁ ପାରମ୍ପରିକ ରୀତିରେ ଉପଦେଶାତ୍ମକ ଶିକ୍ଷା ପ୍ରଦାନ ନିରର୍ଥକ ପ୍ରମାଣିତ । କିନ୍ତୁ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ସମ୍ୱାଦ ଚୟନ, ସଂଗ୍ରହ କୌଶଳ ପ୍ରଶିକ୍ଷଣ ସଫଳତା ଆଣିପାରେ । ତାଲିମର ଗୁରୁତ୍ୱ ସହ ଅପରିଚିତ ଗ୍ରାମାଞ୍ଚଳର ସାମ୍ୱାଦିକମାନେ କୌଣସି ବିଧିବଦ୍ଧ ତାଲିମ ‘ଫରମାଲ ଟ୍ରେନି୍ଂ’ ପାଇଁ ଅନିଚ୍ଛା ପ୍ରକାଶ ସନ୍ଦେହ କରାଯାଉଥିବା ବେଳେ ନିଜ କାର୍ଯ୍ୟକ୍ଷେତ୍ରରେ ନିଜେ ପ୍ରଯୋଜନା କରୁଥିବା ସମ୍ୱାଦର ଗୁଣବତ୍ତା ବିକାଶଲାଗି ଅଭିଜ୍ଞଙ୍କଠାରୁ କଳାକୌଶଳ ପ୍ରଶିକ୍ଷଣକୁ ପଛଘୁଞ୍ଚା ନଦେଇପାରନ୍ତି ।


 

ଏଭଳି ତାଲିମ ପ୍ରତ୍ୟେକ ସାମ୍ୱାଦିକଙ୍କ ଦକ୍ଷତା ଓ ସାମାଜିକ ଦୃଷ୍ଟିକୋଣକୁ ନେଇ ପ୍ରଯୋଜନା କରାଯାଉଥିବା ହେତୁ ସମୟସାପେକ୍ଷ । ଅନେକଙ୍କ ବଦଳରେ ଜଣକୁ ତାଲିମ ପ୍ରଦାନଲାଗି ପ୍ରଶିକ୍ଷକ ନିଯୁକ୍ତି ମଧ୍ୟ ଖର୍ଚ୍ଚ ବହୁଳ ହୋଇପାରେ । ଜଣେ ଗ୍ରାମାଞ୍ଚଳ ସାମ୍ୱାଦିକଙ୍କୁ ତାଲିମ ପ୍ରଦାନକରି ସଶକ୍ତକରିବାପରେ ସେ ପ୍ରଲୋଭନର ବଶବର୍ତ୍ତୀ ହୋଇ ପ୍ରତିଦ୍ୱନ୍ଦୀ ସମ୍ୱାଦପତ୍ରରେ ନିଯୁକ୍ତି ଆଶା କରିବା ମଧ୍ୟ ଅସ୍ୱାଭାବିକ ନୁହେଁ । ତେବେ ତାଲିମ ବିନା ଗୁଣାତ୍ମକ ବିକାଶ ଅସଂଭବ ଏବଂ ଗୁଣାତ୍ମକ ବିକାଶ ବିନା ସମ୍ୱାଦପତ୍ର ଗୁରୁତ୍ୱ ବଜାୟ ରଖିପାରିବ ନାହିଁ ।


 

ଦ୍ୱିତୀୟତଃ,ସମ୍ୱାଦପତ୍ର ମୁଖ୍ୟ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସମ୍ୱାଦଦାତାନିଯୁକ୍ତି କରିବା ଏବଂ ଆବଶ୍ୟକମତେ ସେମାନେ ଘଟଣାକେନ୍ଦ୍ରୀକ ସମ୍ୱାଦ ସଂଗ୍ରହ ନିମନ୍ତେ ସଂପୃକ୍ତ ଅଞ୍ଚଳ ଗସ୍ତ କରିବା ଦୀର୍ଘକାଳରୁ ପ୍ରଚଳିତ ପ୍ରଥାକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ । ସ୍ୱତନ୍ତ୍ର ପ୍ରତିନିଧି ଭାବେ ଅଭିଜ୍ଞ ଓ ସର୍ଜନଶୀଳସାମ୍ୱାଦିକଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କ ଗସ୍ତକ୍ରମ ନିମନ୍ତେ ଆର୍ଥିକ ବ୍ୟବସ୍ଥା କରିବା ଜରୁରୀ । ସ୍ୱତନ୍ତ୍ର ପ୍ରତିନିଧିମାନେ ସମୟାନ୍ତେ କୌଣସି ଏକ ସମ୍ୱାଦ ପ୍ରଯୋଜନା ନିମନ୍ତେ ଘଟଣାସ୍ଥଳ ପରିଦର୍ଶନ କାଳରେ ସେଠାକାର ଅବସ୍ଥାପିତ ଗ୍ରାମାଞ୍ଚଳ ସାମ୍ୱାଦିକମାନେ ଅଭିଜ୍ଞଙ୍କସାନ୍ନିଧ୍ୟରେ ତାଙ୍କରି କାର୍ଯ୍ୟଶୈଳୀ ଅନୁଧ୍ୟାନ କରି ଆପେ ଆପେ ତାଲିମପ୍ରାପ୍ତ ହୋଇପାରିଥାନ୍ତି ।


 

ତୃତୀୟତଃ, ଦୈନିକ ସମ୍ୱାଦପତ୍ରସଂସ୍କରଣଗୁଡ଼ିକରେ ସମ୍ୱାଦର ଗଭୀରତମ ପ୍ରଦେଶ ବର୍ଣ୍ଣନା କରିବା ନିମନ୍ତେ ସ୍ଥାନ ଅଭାବ ହେତୁ ରବିବାସରୀୟ କ୍ରୋଡ଼ପତ୍ରଗୁଡ଼ିକର ପୁନଃବିନ୍ୟାସ କରାଯାଇପାରେ । ପରିବର୍ତ୍ତିତ ପରିବେଶରେ ସୋସିଆଲ ମିଡ଼ିଆ, ଟେଲିଭିଜନ ଚ୍ୟାନେଲ ଓ ଅନ୍ୟ ଅନଲାଇନ ମଞ୍ଚଗୁଡ଼ିକରେ ପାଠକମାନଙ୍କ ନିମନ୍ତେ ମନୋରଞ୍ଜନର ଭରପୁର ସୁଯୋଗ ସୃଷ୍ଟି ହୋଇ ସାରିଥିବା ତଥା ସାଧାରଣ ପାଠକ ସେଭଳି ପାଠ୍ୟ ଓ ଦୃଶ୍ୟ ଉପଭୋଗରେ ଦୀର୍ଘ ସମୟ ଅତିବାହିତ କରୁଥିବା ସ୍ଥଳେ ମୁଦ୍ରିତ ଦୈନିକ ସମ୍ୱାଦପତ୍ରର ରବିବାସରୀୟ ସଂସ୍କରଣଗୁଡ଼ିକରେ ତାହାର ପୁନଃପ୍ରକାଶନ ଅନାବଶ୍ୟକ ।


 

ଉଦାହରଣରେ ରେଡ଼ିଓ ଓ ଟେଲିଭିଜନରେ ଆଞ୍ଚଳିକ ବିଶେଷଜ୍ଞ ଡ଼ାକ୍ତରଙ୍କ ସହ କୌଣସି ରୋଗ ସଂପର୍କରେ ସାକ୍ଷାତକାରର ବିବରଣୀ ଉପସ୍ଥାପନ ପରେ ତାହା ପୁଣି ସମ୍ୱାଦପତ୍ରର ପତ୍ରିକା ସଂସ୍କରଣରେ ପ୍ରକାଶ ଅପେକ୍ଷା ଚିକିତ୍ସା ବିଜ୍ଞାନର ନବୀନତମ ଆବିଷ୍କାର ସଂପର୍କରେ ସମ୍ୱାଦ ପରିବେଷଣ ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରେ । ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶ ନିମନ୍ତେ ସମ୍ୱାଦ ପ୍ରକାଶନର ସୀମା ସରହଦ ଗୁରୁତ୍ୱ ବହନ କରିଥାଏ । ଦୈନିକ ସଂସ୍କରଣଗୁଡ଼ିକରେ ଘଟଣାର ସଂକ୍ଷିପ୍ତରେ ଧାରା ବିବରଣୀ ପ୍ରକାଶନ ପରେ ରବିବାସରୀୟ ସଂସ୍କରଣରେ ସାମଗ୍ରୀକ ବର୍ଣ୍ଣନା ‘କମ୍ପ୍ଳିଟ ଷ୍ଟୋରି’ ଏକ ପକ୍ଷରେ ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶ ନିମନ୍ତେ ପଥ ପ୍ରଶସ୍ତ କରୁଥିବା ସ୍ଥଳେ ଅନ୍ୟପକ୍ଷରେ ପୁନଃପ୍ରକାଶନ ‘ରିଡ଼ନଡ଼େନ୍ସି’ କାରଣରୁ ପାଠକୀୟ ଆଗ୍ରହ ଉଦ୍ରେକରେ ପ୍ରବର୍ତ୍ତିତ ହୋଇଥାଏ ।


 

ଚତୁର୍ଥତଃ,ଓଡ଼ିଶାଭଳି ରାଜ୍ୟରେ ଗ୍ରାମାଞ୍ଚଳରେ ଅବସ୍ଥାପିତ ସମ୍ୱାଦଦାତା, ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ସ୍ୱତନ୍ତ୍ର ପ୍ରତିନିଧିଙ୍କ ସହ ନାଗରିକ ସାମ୍ୱାଦିକମାନଙ୍କୁ ସାମିଲ କରାଯିବା ବିକଳ୍ପ ଉପଲବ୍ଧ । ରାଜ୍ୟର ପାରମ୍ପରିକ ଶିକ୍ଷା ପରିବେଶରେ ମୋଟାମୋଟିଭାବେ ବୁଦ୍ଧିମାନ ଛାତ୍ରଛାତ୍ରୀମାନଙ୍କ ଲେଖାଲେଖି ପ୍ରତି ଆଗ୍ରହ ରହିଆସିଥାଏ । ସ୍କୁଲ ଓ କଲେଜ ଜୀବନରେ ଅଧିକାଂଶ ପତ୍ରପତ୍ରିକାରେ ରଚନା ପ୍ରକାଶନକୁ ରୁଚ଼ି ‘ହବି’ ଭାବେ ଗ୍ରହଣ କରିଥାନ୍ତି । କିନ୍ତୁ ବୃତ୍ତିଭିତ୍ତିକ କାର୍ଯ୍ୟକ୍ଷେତ୍ରରେ ପ୍ରବେଶ ଏବଂ ସାହିତ୍ୟ ଭିନ୍ନ ଅନ୍ୟ ରଚନା ପ୍ରକାଶନ ନିମନ୍ତେ ସୁବିଧା ସୁଯୋଗ ଅଭାବରୁ ଅଧିକାଂଶ ସର୍ଜନଶୀଳ ଜୀବନରୁ ବିରତ ରହନ୍ତି ।


 

ସେମାନଙ୍କ ମଧ୍ୟରୁ ଅଧିକାଂଶ ସମ୍ୱାଦପତ୍ର ଓ ଅନ୍ୟାନ୍ୟ ସମ୍ୱାଦ ମଞ୍ଚଗୁଡ଼ିକରେ ଦୀର୍ଘ ସମୟ ଅତିବାହିତ କରିଥାନ୍ତି ଏବଂ ସାଧାରଣସ୍ତରର ସାମ୍ୱାଦିକଙ୍କ ତୁଳନାରେ ଦକ୍ଷତା ହେତୁ ସେମାନଙ୍କ ସାମାଜିକ ଦୃଷ୍ଟିକୋଣ ପରିବ୍ୟାପ୍ତ । ପାରମ୍ପରିକଭାବେ ଏହି ବର୍ଗର ଲେଖକମାନେ ଓଡ଼ିଆ ସମ୍ୱାଦପତ୍ରର ସମ୍ପାଦକୀୟ ପୃଷ୍ଠା ନିମନ୍ତେ ଲଘୁ ନିବନ୍ଧ ଲେଖିଥାନ୍ତି । ଯେଉଁ ସମ୍ୱାଦପତ୍ରଗୁଡ଼ିକରେ ମହିଳା, ବିଜ୍ଞାନ ଭଳି ସ୍ୱତନ୍ତ୍ର ପୃଷ୍ଠାମାନସଂଯୋଜିତ ସେଥିରେ ମଧ୍ୟ ସ୍ୱାଧୀନ ଲେଖକଙ୍କ ରଚନା ସ୍ଥାନିତ ହୋଇଥାଏ । ନାଗରିକ ସାମ୍ୱାଦିକମାନଙ୍କ ଦ୍ୱାରା ସମ୍ୱାଦପତ୍ରର ମୁଖ୍ୟ ପୃଷ୍ଠାଗୁଡ଼ିକରେ ଆନ୍ତର୍ଜାତିକ ଓ ଜାତୀୟ ଘଟଣାକ୍ରମ, ବିଭିନ୍ନ ବୈଷୟିକ ଅଗ୍ରଗତି ତଥା ଭାବାବେଗ ସଂବଳିତ ସମ୍ୱାଦ ରଚନା ନିମନ୍ତେ ବିଭିନ୍ନ ସୂତ୍ରରୁ ସମ୍ୱାଦ ସଂଗ୍ରହ କରି ଓଡ଼ିଆ ପାଠକମାନଙ୍କ ନିମନ୍ତେ ସାବଲୀଳଢ଼ଙ୍ଗରେ ଉପସ୍ଥାପିତ କରିବା ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇପାରେ । ନାଗରିକ ସାମ୍ୱାଦିକମାନଙ୍କ ରଚନାର ବିଶ୍ୱାସନୀୟତା ତନଖି ଅନଲାଇନ ପରିବେଶରେ ମୂଳ ସମ୍ୱାଦ ସୂତ୍ର ଉପସ୍ଥାପନ ଦ୍ୱାରା ସମ୍ଭବପର । ଏତାଦୃଶ କାର୍ଯ୍ୟକ୍ରମ ପ୍ରଯୋଜନା ନିମନ୍ତେ ସାମାନ୍ୟ ତାଲିମ ଆୟୋଜନ ଆବଶ୍ୟକ ପଡ଼ିପାରେ ।


 

ପଞ୍ଚମତଃ, ଓଡ଼ିଆ ମୁଦ୍ରିତ ଦୈନିକ ସମ୍ୱାଦପତ୍ରଗୁଡ଼ିକରେ ପ୍ରକାଶିତ ସମ୍ୱାଦରେ ସାମ୍ୱାଦିକମାନଙ୍କ ନାମ ‘ବାଇଲାଇନ’ ପ୍ରକାଶିତ ହେଲେ ପରୋକ୍ଷରେ ସାମ୍ୱାଦିକତାର ମାନ ବୃଦ୍ଧିରେ ସହାୟକ ହେବା ଆଶା କରାଯାଇପାରେ । ଏକ ନିର୍ଦ୍ଦିଷ୍ଟ ସମ୍ୱାଦର ସତ୍ୟାସତ୍ୟ, ଗୁଣବତ୍ତା ଓ ବିଶ୍ୱାସନୀୟତା ନିମନ୍ତେ ସାମ୍ୱାଦିକମାନଙ୍କୁ ଉତ୍ତରଦାୟୀକରିବାଲଗି ଏହା ଏକ ଉତ୍ତମ ପଦକ୍ଷେପ । ବୃତ୍ତିଧାରୀ ସାମ୍ୱାଦିକଙ୍କ ଗୁରୁତ୍ୱପୂର୍ଣ୍ଣ ସମ୍ୱାଦ ଓ ନାଗରିକ ସାମ୍ୱାଦିକଙ୍କ ସମସ୍ତ ସମ୍ୱାଦ ପ୍ରକାଶନରେ ଲେଖକଙ୍କ ନାମ ପ୍ରକାଶ ସମ୍ୱାଦପତ୍ରକୁ ଏକ ସାମାଜିକ ମଞ୍ଚ ରୂପେ ଗଢ଼ି ତୋଳିବାରେ ସହାୟକ ହୋଇପାରିବ ।


 

ଷଷ୍ଠତଃ,ସମ୍ୱାଦପତ୍ରରେ ପ୍ରକାଶିତ ପ୍ରମୁଖ ସମ୍ୱାଦଗୁଡ଼ିକ ସଂପର୍କରେ ସମ୍ୱାଦରେ ବର୍ଣ୍ଣିତ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଓ ପଦାଧିକାରୀଙ୍କ ସହ ସାଧାରଣ ପାଠକମାନଙ୍କ ପ୍ରତିକ୍ରିୟା ପ୍ରକାଶ କରାଯାଇପାରିଲେ ପ୍ରକାଶିତ ସମ୍ୱାଦର ତୃଟିବିଚୁତି ସଜଡ଼ା ଯାଇପାରିବା ସହ ବିଶ୍ୱାସନୀୟତା ବୃଦ୍ଧିରେ ପର୍ଯ୍ୟବସିତ ହେବ । ସୋସିଆଲ ମିଡ଼ିଆରେ ତତକ୍ଷଣାତ ପାଠକୀୟ ଅଭିମତ ପ୍ରକାଶନର ସୁବିଧା ସୁଯୋଗ ସୃଷ୍ଟି ହୋଇପାରିଥିବା ସ୍ଥଳେ ସମ୍ୱାଦପତ୍ରଗୁଡ଼ିକରେ ମଧ୍ୟ ସେଭଳି କିଛି ସୁବିଧା ସୁଯୋଗ ବାଞ୍ଛନୀୟ ।


 

ସପ୍ତମରେ, ଓଡ଼ିଆ ମୁଦ୍ରିତ ଦୈନିକ ସମ୍ୱାଦପତ୍ରଗୁଡ଼ିକରେ ପ୍ରକାଶିତ ସମ୍ୱାଦ ପାଠକମାନଙ୍କ ଦ୍ୱାରା କେତେ ମାତ୍ରାରେ କିଭଳି ଆଦୃତ ହୋଇପାରୁଛି ତତସଂପର୍କୀତ ତଥ୍ୟ ହାସଲ ନିମନ୍ତେ ସାମୟିକଭାବେ ସର୍ବେକ୍ଷଣ କରାଯିବା ଆବଶ୍ୟକ । ସାମ୍ୱାଦିକମାନେ ଏକ ବୃହତ୍ତ ପାଠକଗୋଷ୍ଠୀଙ୍କୁ ଆଖିରେ ରଖି ସମ୍ୱାଦ ଚୟନ, ରଚନା ଓ ପରିବେଷଣ କରିଥାନ୍ତି । କିନ୍ତୁ ପ୍ରକୃତପକ୍ଷେ ପ୍ରକାଶିତ ସମ୍ୱାଦ ପାଠକମାନଙ୍କ ଦ୍ୱାରା କେତେଦୂର ଗ୍ରହଣୀୟ ହୋଇପାରୁଛି ଜାଣିପାରିଲେ ଭବିଷ୍ୟତରେ ସମ୍ୱାଦ ପ୍ରଯୋଜନାରେ ଉନ୍ନତି ସମ୍ଭବ । ଅନେକ କ୍ଷେତ୍ରରେ ସ୍ରଷ୍ଟା ଯାହା ବିଶ୍ୱାସ କରିଥାଏ ତାହା ହୁଏତ ଉପଭୋକ୍ତାଙ୍କ ସ୍ୱୀକୃତି ହାସଲ ନକରିପାରେ । ଏଥିପ୍ରତି ସତର୍କତା ଅବଲମ୍ୱନ ଗଣମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ।


 

ସମ୍ୱାଦ ପରିବେଷଣରେ ଗୁଣବତ୍ତା ବିକାଶ ନିମନ୍ତେ ଓଡ଼ିଶାର ମୁଦ୍ରିତ ଦୈନିକ ସମ୍ୱାଦପତ୍ରଗୁଡ଼ିକ ପ୍ରଥମେ ନୀତିଗତ ନିଷ୍ପତ୍ତି ଗ୍ରହଣ ପରେହିଁ ସେ ଦିଗରେ ପଦକ୍ଷେପ ସଂଭବପର । ଏଥି ଲାଗି ସମୟସୀମା ଓ ଆର୍ଥିକ ବ୍ୟବସ୍ଥା କରି ସାମୟିକଭାବେ ସମୀକ୍ଷା ଆୟୋଜନ କଲେ ସୁଫଳ ମିଳିପାରେ । କୌଣସି ଗଣମାଧ୍ୟମରେ ଅମୂଳଚୂଳ ସଂଶୋଧନ ଏକାଥରକେ ସମ୍ଭବପର ନୁହେଁ । ପରିବର୍ତ୍ତନଲାଗି ନୀତି ନିର୍ଦ୍ଧାରଣ ପରେ କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରାଯାଇପାରେ । ତେବେ ଗୁଣାତ୍ମକ ବିକାଶଲାଗି ପ୍ରକାଶକ, ସମ୍ପାଦକ ଓ ନିବେଶକଙ୍କସ୍ତରରେ ନୀତି ନିର୍ଦ୍ଧାରଣହିଁ ପ୍ରାଥମିକତା ଦାବୀ କରିଥାଏ ।                  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଫେବୃୟାରୀ ୨୦୨

ସମ୍ପାଦକୀୟ ନୀତି ସଂସ୍କାର

ଯେଉଁ ଗଣମାଧ୍ୟମ ସମୀକ୍ଷକମାନେ ଭାରତୀୟ ପରିବେଶରେ କୌଣସି ସମ୍ୱାଦପତ୍ରର ପତନ ନୀରିକ୍ଷଣ କରିବା ସୁଯୋଗ ପାଇଛନ୍ତି, ସେମାନଙ୍କ ଅନୁଭୂତିରେ ବିପଦ ସମ୍ମୁଖୀନ ସମ୍ୱାଦପତ୍ରର ଅବସ୍ଥା ମଝି ସମୁଦ୍ରରେ ବୁଡ଼ି ଯାଉଥିବା ଜାହାଜ ସଦୃଶ୍ୟ । ଏହି ପରିପ୍ରେକ୍ଷୀରେ ସମସ୍ତ ସୂତ୍ରରୁ ସହାୟତା ହଠାତ ଉଭେଇଯାଏ । ଜାହାଜର ନାବିକଗଣ ନିଜ ଆଶ୍ରୟସ୍ଥଳୀକୁ ପ୍ରତିକୂଳ ପରିବେଶକୁ ଠେଲି ଦେବାରେ ପ୍ରତ୍ୟେକେ ଊଣା-ଅଧିକେ ଦାୟୀ ରହିଥିବା ହେତୁ ଜାହାଜକୁ ବୁଡିଯିବାରୁ ଉଦ୍ଧାର କରିବାରେ ବିଶେଷ କିଛି କରିପାରନ୍ତି ନାହିଁ ।


 

ଅବଶ୍ୟ କପ୍ତାନଙ୍କ ପକ୍ଷରୁ ପ୍ରଚଳିତ ପରିଚାଳନା ନୀତିର ବ୍ୟାପକ ପରିବର୍ତ୍ତନ ଯଦି ଯୁକ୍ତିଯୁକ୍ତ-ସର୍ବସମ୍ମତ୍ତ-ସ୍ୱଚ୍ଛ ପଦକ୍ଷେପମାନ ଗ୍ରହଣ କରାଯାଏ, ତେବେ ସୁରକ୍ଷାର ଆଶା ସଞ୍ଚାର ହୋଇଥାଏ । ପାରିପାର୍ଶ୍ୱିକ କାରଣଗୁଡ଼ିକ ବିପଦ ଆଣି ଦେଇଥିବା ସ୍ଥଳେ ତାହାର ମୁକାବିଲା ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ଅନ୍ତତଃପକ୍ଷେ କେତେକାଂଶରେ ଯେ ନିଶ୍ଚିତ ଭାବେ ଫଳପ୍ରଦ ହୋଇଥାଏ, ଏଥିରେ ସନ୍ଦେହ ନାହିଁ ।


 

ସମକାଳରେ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନରେ ବିପର୍ଯ୍ୟସ୍ତ ଅବସ୍ଥା ନିମନ୍ତେ ସମ୍ପାଦକୀୟ ଓ ବ୍ୟାବସାୟିକ ନୀତି ଉଭୟ ଦାୟୀ । ବଜାରରେ ବିଜ୍ଞାପନ ବ୍ୟୟ ହ୍ରାସ, ଦେଶରେ ଆର୍ଥିକ ମାନ୍ଦାବସ୍ଥାଜନିତ ପାରିବାରିକ ଖର୍ଚ୍ଚକାଟ ଓ ସମ୍ୱାଦପତ୍ରର ମୂଲ୍ୟ ବୃଦ୍ଧି କାରଣରୁ ଗ୍ରାହକ ହାନୀ କିମ୍ୱା ପ୍ରତିଯୋଗୀ ସମ୍ୱାଦ ମଞ୍ଚଗୁଡ଼ିକର ବୈଷୟିକ ଆଧିପତ୍ୟକୁ ନିୟନ୍ତ୍ରଣ କରିବା କ୍ଷମତା ସମ୍ୱାଦପତ୍ରର ନଥାଏ । କୌଣସି ସମ୍ୱାଦପତ୍ର ନିଜର ଆକାର, ଇତିହାସ ଓ ପ୍ରତିପତ୍ତି ହେତୁ ଏଭଳି ସମସ୍ୟାଗୁଡ଼ିକ ଦ୍ୱାରା ଯେ କ୍ଷତିଗ୍ରସ୍ତ ହେବ ନାହିଁ, ତାହା ବିଚାର କରିବା ଭୂଲ । ଏହି ତତ୍ତ୍ୱ ପ୍ରାଚୁର୍ଯ୍ୟକାଳରେ ଅଦୃଶ୍ୟବୋଧ ହେଉଥିବା ବେଳେ ଅଭାବ ସମୟରେ ଗୋଟି ଗୋଟି କରି ଗଣିହୁଏ । ଅବସ୍ଥା ସୁଧାରିବା ଉଦ୍ୟମରେ ପ୍ରାଥମିକଭାବେ ସମ୍ୱାଦପତ୍ରଗୁଡ଼ିକର ନିଜସ୍ୱ ସମ୍ପାଦକୀୟ ନୀତିର ସଂସ୍କାର ଅବ୍ୟବସ୍ଥାର ବିଷଚ଼କ୍ର ସଜାଡ଼ିବାରେ ସମର୍ଥ ହୋଇପାରେ ବୋଲି ବିଶ୍ୱାସ କରାଯାଏ ।


 

ଆଧୁନିକ ଯୁଗରେ ସମ୍ୱାଦମଞ୍ଚଗୁଡ଼ିକୁ ଗଣତନ୍ତ୍ର ସୁରକ୍ଷାର ପ୍ରମୁଖ ଆୟୂଧ ବିବେଚ଼ନା କରାଯାଉଥିବା ହେତୁ ପ୍ରତ୍ୟେକ ସମ୍ପାଦପତ୍ରର ସମ୍ପାଦକୀୟ ନୀତି ନିର୍ଦ୍ଧାରଣ ଗଣତାନ୍ତ୍ରିକ ପଦ୍ଧତିରେ ସମାହିତ ହେବା ଯୁକ୍ତିଯୁକ୍ତ । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ଉଭୟ ସମ୍ପାଦନା, ବ୍ୟବସାୟ ଓ ବୈଷୟିକ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ବ୍ରିଟେନର ‘ଦି ଗାର୍ଡିଆନ’ ସମ୍ୱାଦପତ୍ରର ମୁଖ୍ୟ-ସମ୍ପାଦକଙ୍କୁ ସମ୍ୱାଦ ସଂସ୍ଥାରେ କାର୍ଯ୍ୟରତ ଏକ ହଜାର କର୍ମଚାରୀ ଭୋଟ ଦେଇ ନିର୍ବାଚ଼ିତ କରିଥାନ୍ତି । ଏହି ସମ୍ୱାଦପତ୍ର ୨୦୨୧ ମେ’ ପ୍ରଥମ ସପ୍ତାହରେ ଦୁଇଶତ ଜନ୍ମବାର୍ଷିକୀ ପାଳନ କରିଛି ଏବଂ ଏହାର ଗ୍ରାହକ ଚାନ୍ଦା ତଥା ବଦାନ୍ୟତା ଆୟ ବିଜ୍ଞାପନ ଆୟଠାରୁ ଅଧିକ । ଏତାଦୃଶ ଜୀବନ୍ତ ଉଦାହରଣରୁ ଅତ୍ୟାଧୁନିକ ସମ୍ୱାଦପତ୍ର ଅର୍ଥନୀତି ସଂପର୍କୀତ ବହୁକଥା ଆମର ଶିଖିବାର ରହିଛି ।


 

ଯେକୌଣସି ସମ୍ୱାଦ ମଞ୍ଚର ସମ୍ପାଦନା ନୀତି ସଂସ୍କାର ଅବସରରେ ସଂପୃକ୍ତ ସଂସ୍ଥାର ସମସ୍ତ ସମ୍ୱାଦ କର୍ମ୍ମୀଙ୍କ ସହମତି ଅନିର୍ବାଯ୍ୟ । କାରଣ କୌଣସି ପରିବର୍ତ୍ତନ ପ୍ରତି ସେମାନେ ବିମୁଖ ହେଲେ ସେଗୁଡ଼ିକର ପ୍ରୟୋଗ ପ୍ରତି ଉଦାସୀନ ରହିବେ ଏବଂ ପ୍ରତ୍ୟେକ କର୍ମଚାରୀ ସମ୍ୱାଦପତ୍ରର ଅଂଶ ବିଶେଷ ହୋଇଥିବା ହେତୁ ପ୍ରସ୍ତାବିତ ଯୋଜନାର ସଫଳ ରୂପାୟନରେ ଅନ୍ତରାୟ ସୃଷ୍ଟି ହେବ । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଯେତିକି ପ୍ରସ୍ତାବରେ କର୍ମଚାରୀମାନେ ସହମତ ହେବେ, ଅନ୍ତତଃପକ୍ଷେ ସେତିକି ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରିଲେ ସୁଫଳ ମିଳିପାରିବ ।


 

ପରିଚାଳନା ଶାସ୍ତ୍ର ବିଧିରେ ପ୍ରତ୍ୟେକ ବିଷୟର ଲିଖିତ ଆକାର ପ୍ରତି ଗୁରୁତ୍ୱାରୋପ କରାଯାଉଛି । ଏପରିକି ଜଣେ ଅନ୍ୟ ଜଣକ ପ୍ରତି କ୍ରୋଧାନ୍ୱିତ ହୋଇପଡ଼ିଲେ ମୂଳ ବ୍ୟକ୍ତିଙ୍କୁ କୁହାଯାଉଛି ତୁମେ କେଉଁ ସବୁ ଅବିଗୁଣ ବିରୋଧରେ ପ୍ରତିକ୍ରିୟାଶୀଳ ତାହା ଗୋଟି ଗୋଟି କରି ଲେଖ ଓ ସେସବୁରେ ନିଜେ ପ୍ରଭାବିତ ନହେବାର ବାଟ ଖୋଜ । ମୂହୁର୍ତ୍ତକ ମଧ୍ୟରେ ଉପାୟ ମିଳିଯିବ । କ୍ରୋଧ ପ୍ରକାଶ ବଦଳରେ ଚାତୁର୍ଯ୍ୟ ଉପଯୋଗରେ ନାପସନ୍ଦ ତତ୍ତ୍ୱଠାରୁ ଦୂରେଇ ରୁହ ।


 

ସମ୍ୱାଦପତ୍ର ଏକ ବଡ଼ ସଂସ୍ଥା । ବହୁ ସଂଖ୍ୟକ କର୍ମଚାରୀ, ବହୁ ସଂଖ୍ୟକ ପାଠକ ଏହାର ଉତ୍ପାଦ ଉପରେ ଦୈନନ୍ଦିନ ବହୁ ସମୟ ବିନିଯୋଗ କରିଥାନ୍ତି । କିନ୍ତୁ ଏହାର କାର୍ଯ୍ୟଶୈଳୀ ସଂପର୍କରେ ଖଣ୍ଡେ କାଗଜ ତୁକୁଡ଼ା ଅଭାବ ! ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭରେ ଏହା ଅନ୍ୟ ଏକ ଆଶ୍ଚର୍ଯ୍ୟ ନୁହ କି ?


 

ସମ୍ପାଦକୀୟ ନୀତି ସଂସ୍କାର ପ୍ରକ୍ରିୟାରେ, ପ୍ରଥମତଃ, ଆମକୁ ତୁରନ୍ତ ‘ଶୃତି’ ଯୁଗରୁ ‘ସାର୍ବଜନୀନ-ଅନଲାଇନ-ଲିପିବଦ୍ଧ’ ଅବସ୍ଥାକୁ ଉନ୍ନୀତ ହେବାକୁ ପଡ଼ିବ । ସମ୍ପାଦକୀୟ ନୀତି ସମସ୍ତ ସମ୍ୱାଦକର୍ମ୍ମୀଙ୍କ ସହମତିରେ ପ୍ରସ୍ତୁତ ହୋଇ ସାର୍ବଜନୀନ ହେବାପରେ ଏହାର କାର୍ଯ୍ୟକାରିତା ତଥା ଉଲଂଘନ ଅନ୍ତତଃ ମାସିକସ୍ତରରେ ସମୀକ୍ଷାର ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ । ସମୟକ୍ରମେ ଏହାର ସଂଶୋଧନ ଓ ପରିମାର୍ଜନା ପ୍ରତି ଗୁରୁତ୍ୱ ଦିଆଯାଇପାରିଲେ ଏହା ଏକ ଗତିଶୀଳ ଦଲିଲ ‘ଇଭଲଭିଂ ଡ଼କ୍ୟୁମେଣ୍ଟ’ରେ ପରିଣତ ହେବ ।


 

ଦ୍ୱିତୀୟତଃ, ବିଭିନ୍ନ ଐତିହାସିକ କାରଣରୁ ସମ୍ୱାଦ ମଞ୍ଚଗୁଡ଼ିକରେ ସମ୍ପାଦକୀୟ ‘ଏଡ଼ିଟୋରିଆଲ’ ଓ ପ୍ରାୟୋଜିତ ‘ଏଡ଼ଭୋଟୋରିଆଲ’ ଉଭୟ ସମ୍ୱାଦ ପ୍ରକାଶିତ ହୋଇଥାଏ । ଏହି ଦୁଇ ବର୍ଗର ସଂଜ୍ଞା, କାର୍ଯ୍ୟକାରିତା ଓ ଉପାଦେୟତା ତର୍ଜମାକୁ ବାଦ ଦେଲେ, ପ୍ରାୟୋଜିକ ସମ୍ୱାଦ ଅର୍ଥାତ ଅର୍ଥ, କ୍ଷମତା ଓ ଚାପ ବିନିମୟରେ ପ୍ରଚାରଧର୍ମୀ ସମ୍ୱାଦ ପ୍ରକାଶନ ଧାରାକୁ ଅନ୍ତତଃପକ୍ଷେ ଘଡ଼ିସନ୍ଧି ମୂହୁର୍ତ୍ତରେ ଅସ୍ୱୀକାର କିମ୍ୱା ବିରୋଧ ବଦଳରେ ସହବସ୍ଥାନ ପରିବେଶ ସୃଷ୍ଟିରେ କିପରି ସମ୍ୱାଦପତ୍ରର ସ୍ୱାର୍ଥ ସଂରକ୍ଷଣରେ ବିନିଯୋଗ କରାଯାଇପାରିବ ସେ ଦିଗରେ ଧ୍ୟାନ ଦେବାକୁ ପଡ଼ିବ ।


 

ସମ୍ପାଦକୀୟ ସମ୍ୱାଦ ସହ ପ୍ରାୟୋଜିତ ସମ୍ୱାଦ ଏକତ୍ର ପ୍ରକାଶ ନକରି ପ୍ରାୟୋଜିତ ସମ୍ୱାଦ ନିମନ୍ତେ ସ୍ୱତନ୍ତ୍ର ପୃଷ୍ଠା ନିର୍ଦ୍ଧାରଣ ଏହି ସମସ୍ୟାରୁ ଦୂରେଇ ଯିବାରେ ପ୍ରାଥମିକ ପ୍ରୟାସ ବିଚାର କରାଯାଇପାରେ । ପ୍ରାୟୋଜିତ ସମ୍ୱାଦ ପୃଷ୍ଠା ସଂପର୍କରେ ପାଠକଙ୍କୁ ସୂଚ଼ିତ କରାଯାଇପାରିଲେ ଏହା ସାମ୍ୱାଦିକତା ନୈତିକତାର ବିରୋଧ ହେବ ନାହିଁ । କାରଣ ବିଜ୍ଞାପନ ସମ୍ୱାଦପତ୍ର ପ୍ରକାଶନର ଅଂଶବିଶେଷ ଏବଂ ଏଦିଗରେ ପ୍ରକାଶ୍ୟରେ ସମ୍ପାଦକୀୟ ସେବା ଯୋଗାଣ ଦୋଷାବହ ନୁହେଁ ।


 

ପ୍ରତ୍ୟେକ ପ୍ରାୟୋଜିତ ସମ୍ୱାଦ ଦେୟଯୁକ୍ତ ହେବା ଏବଂ ସମ୍ୱାଦପତ୍ର ପକ୍ଷରୁ ରସିଦ ଦେଇ ଅର୍ଥ ଗ୍ରହଣ କରାଯିବା ଉଚ଼ିତ । ବିଜ୍ଞାପନ ଆୟ ହ୍ରାସ କାଳରେ ପ୍ରାୟୋଜିତ ସମ୍ୱାଦ ପ୍ରକାଶନ ସଂସ୍ଥାର ଆୟ ପର୍ଯ୍ୟାୟଭୁକ୍ତ ହେଲେ ଏକ ବିକଳ୍ପ ସୂତ୍ର ରୂପେ ବିକଶିତ ହୋଇପାରିବ ।


 

ତୃତୀୟତଃ, ପ୍ରେସ ବିଜ୍ଞପ୍ତି-ଆଶ୍ରିତ ସାମ୍ୱାଦିକତାକୁ ନିରୁତ୍ସାହିତ କଲେ ଯାଇ ସମ୍ୱାଦପତ୍ରରେ ମୌଳିକତା ପରିସ୍ଫୁଟିତ ହେବ । ସମ୍ୱାଦିକମାନେ ପ୍ରେସ ବିଜ୍ଞପ୍ତିଗୁଡ଼ିକୁ ସମ୍ୱାଦର ଉତ୍ସ ଭାବେ ଗ୍ରହଣ କରିପାରନ୍ତି, କିନ୍ତୁ ସାମାନ୍ୟ ସଂଶୋଧନ କରି ପ୍ରକାଶନରୁ ବିରତ ରହିଲେ ଯାଇ ନିଜ ସମ୍ୱାଦପତ୍ର ପୃଷ୍ଠାରେ ବିକଳ୍ପ ସମ୍ୱାଦ ପ୍ରକାଶନ ନିମନ୍ତେ ସୁଯୋଗ ସୃଷ୍ଟି କରିପାରିବେ ।


 

ସେହିପରି ଯାହା ଘଟିଛି ତାହା ସମ୍ୱାଦ । ଯାହା ଘଟିବାକୁ ଯାଉଛି ତାହା ସବୁ ସମୟରେ ସମ୍ୱାଦ ନହୋଇ ପାରେ । ଜନଜୀବନକୁ ପ୍ରଭାବିତ କରୁଥିବା ଭବିଷ୍ୟତ ଯୋଜନାଗୁଡ଼ିକ କାଁ ଭାଁ ସମ୍ୱାଦ ରୂପେ ଗ୍ରହଣ କରାଯାଇପାରେ । ପ୍ରେସ ବିଜ୍ଞପ୍ତି-ଆଶ୍ରିତ ସମ୍ୱାଦଗୁଡ଼ିକ ପ୍ରାୟୋଜିତ ସମ୍ୱାଦ ରୂପେ ପ୍ରକାଶନ ନିମନ୍ତେ ସମ୍ୱାଦ ସୂତ୍ରଗୁଡ଼ିକୁ ପ୍ରରୋଚ଼ିତ କଲେ ସମ୍ୱାଦପତ୍ରର ଆୟବୃଦ୍ଧିରେ ସହାୟକ ହେବ ।


 

ଚ଼ତୁର୍ଥତଃ, ଜନଜୀବନର ସମସ୍ୟାଗୁଡ଼ିକୁ ଚ଼ିହ୍ନଟ କରି କ୍ରମାଗତଭାବେ ଗୋଟିଏ ପରେ ଗୋଟିଏ ସଂପର୍କରେ ଆଲୋକପାତ, ଚର୍ଚ୍ଚା ଓ ସମାଧାନ ନିମନ୍ତେ ସୁଯୋଗ ସୃଷ୍ଟି ସମ୍ୱାଦମଞ୍ଚଗୁଡ଼ିକର ମୌଳିକ ଧର୍ମ । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ସମ୍ୱାଦପତ୍ରର ମୁଦ୍ରିତ ପୃଷ୍ଠାର ସ୍ଥାୟିତ୍ୱ କାରଣରୁ ସରକାରୀ  ଓ ବେସରକାରୀ ଉଭୟ ସ୍ତରରେ ଚାପ ପ୍ରୟୋଗ ନିମନ୍ତେ ଅନ୍ୟାନ୍ୟ ମଞ୍ଚଗୁଡ଼ିକ ତୁଳନାରେ ପ୍ରଭାବଶାଳୀ ପ୍ରମାଣିତ । ଏହି ବିଭବକୁ ଉପଯୋଗ କରି ସାମାଜିକସ୍ତରରେ ନିଜର ପ୍ରଭୁତ୍ୱ ବିସ୍ତାର କରିବା ନିମନ୍ତେ ସମ୍ୱାଦପତ୍ରଗୁଡ଼ିକ ପକ୍ଷେ ପ୍ରଶସ୍ତ ସୁଯୋଗ ରହିଥାଏ । ସମ୍ୱାଦମଞ୍ଚଗୁଡ଼ିକ ବିଶ୍ୱସନୀୟତା ହରାଉଥିବା ଅବସରରେ ଏ ଦିଗରେ ଯୋଜନାବଦ୍ଧ ଭାବେ ସମ୍ପାଦକୀୟ ନୀତି ସଂସ୍କାର ସୁଫଳ ପ୍ରଦାନ କରିବ ।


 

ଏକ ପକ୍ଷରେ ସାର୍ବଜନୀନ ସମସ୍ୟାବଳୀ ଚର୍ଚ୍ଚାରେ ପାଠକ ସଂଖ୍ୟା ବୃଦ୍ଧି ଆଶା କରାଯାଉଥିବା ସ୍ଥଳେ ଅପରପକ୍ଷେ ବ୍ୟକ୍ତିବିଶେଷ କିମ୍ୱା ଗୋଷ୍ଠୀକେନ୍ଦ୍ରୀକ ସମସ୍ୟାବଳୀ ସଂପର୍କରେ ଆଲୋକପାତ କରିବା ନିମନ୍ତେ ମଧ୍ୟ ସୁଯୋଗ ସୃଷ୍ଟି କରାଯାଇପାରେ । କେତେକ କ୍ଷେତ୍ରରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ୱାର୍ଥ ସୁରକ୍ଷା ନିମନ୍ତେ ଜନସଚ଼େତନ ଓ ପ୍ରଶାସନିକ ଚାପ ସୃଷ୍ଟି ଲାଗି ସର୍ବସାଧାରଣରେ ସମସ୍ୟା ପ୍ରକାଶନ ଆବଶ୍ୟକ ପଡ଼ିଥାଏ । ପ୍ରଚଳିତ ବ୍ୟବସ୍ଥାରେ ନାଗରିକମାନେ ଏହି ସୁବିଧା ସହଜରେ ଖୋଜି ପାଆନ୍ତି ନାହିଁ ।


 

ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଏହି ଦିଗରେ ଦେୟଯୁକ୍ତ ସମ୍ପାଦକୀୟ ସେବା ଯୋଗାଇ ପ୍ରାୟୋଜିତ ସମ୍ୱାଦ ଆକାରରେ ସମସ୍ୟା ପ୍ରକାଶନ ଆଗ୍ରହୀ ନାଗରିକଙ୍କ ଦାବୀ ଉପସ୍ଥାପନ ସୁଯୋଗ ସୃଷ୍ଟି ଓ ସମ୍ୱାଦ ସଂସ୍ଥାର ଆୟବୃଦ୍ଧି ଉଭୟ ଦିଗରୁ ହିତକର ସାବ୍ୟସ୍ତ ହେବ । ବ୍ୟକ୍ତିଗତ କିମ୍ୱା ଗୋଷ୍ଠୀଗତ ସମସ୍ୟା ଯୁକ୍ତିଯୁକ୍ତ ଥିଲେ, ସମ୍ୱାଦପତ୍ର ସହ ଆର୍ଥିକ କାରବାରରେ ସ୍ୱଚ୍ଛତା ରହିଲେ ଏବଂ ପାଠକମାନଙ୍କୁ ଏହା ପ୍ରାୟୋଜିତ ସମ୍ୱାଦ ବୋଲି ସୂଚାଇ ଦିଆଯାଇପାରିଲେ ସାମ୍ୱାଦିକତା ନୈତିକତା ଉଲଂଘନ କରିବ ନାହିଁ । ପରନ୍ତୁ ଗଣତାନ୍ତ୍ରିକ ପଦ୍ଧତିରେ ସର୍ବସାଧାରଣରେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଶାଣିତ କରିବ ।


 

ପଞ୍ଚମତଃ, ମୁଦ୍ରିତ ସମ୍ୱାଦପତ୍ରରେ ସମ୍ପାଦକୀୟ ଓ ପ୍ରାୟୋଜିତ ସମ୍ୱାଦର ସ୍ୱଚ୍ଛ ବର୍ଗୀକରଣ ଏବଂ ଏ ଦିଗରେ ସମ୍ପାଦକୀୟ ନୀତିର କଠୋର ଅନୁପାଳନ ଗ୍ରାହକ ଚାନ୍ଦା ଓ ବିଜ୍ଞାପନ ରାଜସ୍ୱ ବୃଦ୍ଧିରେ ପର୍ଯ୍ୟବସିତ ହେବା ହିସାବ କରାଯାଇପାରେ । ଯେଉଁ ସମ୍ୱାଦ ସାର୍ବଜନୀନ ହିତରେ ଲାଗେ ତାହା ସମ୍ପାଦକୀୟ ଓ ଯେଉଁ ସମ୍ୱାଦ ସଂପୃକ୍ତ ସୂତ୍ରର ସ୍ୱାର୍ଥସାଧନରେ ଲକ୍ଷ୍ୟବଦ୍ଧ ତାହା ବିଜ୍ଞାପନ । ବ୍ୟବହାରଯୋଗ୍ୟ ସମ୍ୱାଦ ପ୍ରକାଶନରେ ଅଧିକ ଗ୍ରାହକ ସୃଷ୍ଟି ଫଳରେ ଗ୍ରାହକ ଚାନ୍ଦା ଆୟ ଏବଂ ପ୍ରଚାରଧର୍ମୀ ସମ୍ୱାଦ ପ୍ରକାଶନରେ ସମ୍ୱାଦ ମଞ୍ଚର ବିଜ୍ଞାପନ ରାଜସ୍ୱ ବୃଦ୍ଧିରେ ସହାୟକ ହୋଇଥାଏ ।


 

ଏଥିରେ ଅସ୍ୱଚ୍ଛଭାବେ ବୁଝାମଣା ହେଲେ ନା ଉପରୋକ୍ତ ନା ସମ୍ୱାଦପତ୍ର, କେବଳ ତୃତୀୟପକ୍ଷ ଲାଭବାନ ହୋଇଥାନ୍ତି । ଏହା ସର୍ବଜନବିଦିତ ହେଲେ ହେଁ ଦୀର୍ଘ ଉଦାସୀନତା କାରଣରୁ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ବଡଧରଣର ରାଜସ୍ୱ ହରାଉଛନ୍ତି ବୋଲି ମାନିନେବାକୁ ପଡ଼ିବ । ସମ୍ପାଦକୀୟ ନୀତି ସଂସ୍କାର ଏହାର ପ୍ରତିକାର ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ ବୋଲି ବିଶ୍ୱାସ ।


 

ମହାମାରୀ-ପର ଗଣମାଧ୍ୟମ ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ଆୟ ବୃଦ୍ଧି ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ସମସ୍ୟା । ବିଭିନ୍ନ କାରଣରୁ ଦୁଇ ଶହ ବର୍ଷ ଧରି ପ୍ରଚଳିତ ବିଜ୍ଞାପନ ଆଶ୍ରିତ ମଡ଼େଲ ଭୁଷୁଡ଼ି ପଡ଼ିବା ଅବସ୍ଥାରେ ବିକଳ୍ପ ବ୍ୟାବସାୟିକ ମଡ଼େଲ ଖୋଜା ପଡ଼ିଛି । ସମ୍ୱାଦ ମଞ୍ଚଗୁଡ଼ିକ ପରିଚାଳନାଗତ ସମକାଳୀନ ସ୍ଥିତାବସ୍ଥା ବିଚାରକୁ ନେଲେ ବ୍ୟାବସାୟିକ-ବିଜ୍ଞାପନ ହ୍ରାସରେ ସାମାଜିକ-ବିଜ୍ଞାପନ ଆୟ ପ୍ରତି ଯତ୍ନବାନ ହେବା ଏକ ସମାଧାନର ପନ୍ଥାଭାବେ ବିଚାର କରାଯାଇପାରେ ।                   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ମେ ୨୦୨

ସ୍ୱାବଲମ୍ୱୀ ସମ୍ୱାଦ ମଞ୍ଚ

ସମକାଳରେ ସମ୍ୱାଦ ମଞ୍ଚଗୁଡ଼ିକର ବ୍ୟାବସାୟିକ ସ୍ଥିତି ସମସ୍ୟାବହୁଳ ହୋଇପଡ଼ିଛି । ପାରମ୍ପରିକ ଭାବେ ମୁଦ୍ରଣଠାରୁ ଆରମ୍ଭ କରି ଡିଜିଟାଲ ସମସ୍ତ ଆଙ୍ଗିକରେ ସମ୍ୱାଦ ମଞ୍ଚ ବିଜ୍ଞାପନ ଆଶ୍ରିତ ଧାରା ‘ମଡ଼େଲ’ରେ ବିକଶିତ ହୋଇଆସିଥିଲା । ଆନ୍ତର୍ଜାତିକସ୍ତରରେ ପ୍ରଥମ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ରେଡ଼ିଓର ବ୍ୟାପ୍ତି ମୁଦ୍ରଣ ସମ୍ୱାଦ ଶିଳ୍ପକୁ ବିଶେଷ ପ୍ରଭାବିତ କରିପାରିନଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଟେଲିଭିଜନର ପ୍ରସାର ସମୁଦାୟ ବିଜ୍ଞାପନ ବ୍ୟୟରୁ ସିଂହଭାଗ ଦାବୀ କରିବା ସତ୍ତ୍ୱେ ବିଜ୍ଞାପନ ବଜାରରେ ବ୍ୟାପକ ଅଭିବୃଦ୍ଧି ଏବଂ ମୁଦ୍ରଣ ସମ୍ୱାଦ ମଞ୍ଚଗୁଡ଼ିକରେ ବର୍ଗୀକୃତ ‘କ୍ଳାସିଫାଇଡ଼’ ତଥା ସ୍ଥାନୀୟ ‘ଲୋକାଲ’ ବିଜ୍ଞାପନ ପ୍ରକାଶନରେ ସ୍ୱତନ୍ତ୍ରତା ହେତୁ ଉଭୟ ବ୍ୟବସାୟର ସହବସ୍ଥାନ ସଂଭବପର ହୋଇଥିଲା । ତେବେ ବିଂଶଶତାଦ୍ଦୀର ଶେଷ ଦୁଇ ଦଶକରୁ ଇଣ୍ଟରନେଟର ବ୍ୟାପ୍ତି ଓ ଜଗତୀକରଣ ପରିବେଶ ଟେଲିଭିଜନ ସହ ବୁଝାମଣା କରିଥିବା ସ୍ଥଳେ ମୁଦ୍ରଣର ପରିପନ୍ଥୀ ସାଜିଲା । ଅଗତ୍ୟା ମୁଦ୍ରଣ ସମ୍ୱାଦମଞ୍ଚ ଡିଜିଟାଲ ମଞ୍ଚ ମୁହାଁ ହେବାକୁ ବାଧ୍ୟ ହେଲା ।


 

ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ବିଜ୍ଞାପନ ଆୟ ହ୍ରାସ କାରଣରୁ ମୁଦ୍ରଣ ସମ୍ୱାଦ ମଞ୍ଚର ବ୍ୟବସାୟ ବିଲୁପ୍ତ ହୋଇ ଆସୁଥିବା ବେଳେ ୨୦୨୦ରେ ବର୍ଷ ସାରା ମହାମାରୀଜନିତ ଅର୍ଥନୀତିକ ମାନ୍ଦାବସ୍ଥା ଉଭୟ ଟେଲିଭିଜନ ଓ ଡ଼ିଜିଟାଲ ମଞ୍ଚକୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଲା । ଫଳରେ ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚଗୁଡ଼ିକ ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ଉପନୀତ । ଏହି ପରିପ୍ରେକ୍ଷୀରେ ସମ୍ୱାଦ ମଞ୍ଚ ବ୍ୟବସାୟ କିପରି ତିଷ୍ଠି ରହିପାରିବ ସେହି ଦିଗରେ ବିକଳ୍ପ ମଡ଼େଲ ମାନ ଉପଯୋଗରେ ପରୀକ୍ଷାନିରୀକ୍ଷା ଚାଲିଛି ।


 

ପରିବର୍ତ୍ତିତ ପରିବେଶରେ ବିଜ୍ଞାପନ ବ୍ୟୟ ମୁଖ୍ୟତଃ ସୋସିଆଲ ମିଡ଼ିଆ ମଞ୍ଚ ଆୟତ୍ତ କରିନେଉଥିବା ହେତୁ ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ବିଜ୍ଞାପନ ଆଶ୍ରିତ ମଡ଼େଲରୁ ଗ୍ରାହକ ଚାନ୍ଦା ଆଶ୍ରିତ ମଡ଼େଲକୁ ପରିବର୍ତ୍ତନ ବିନା ଅନ୍ୟପନ୍ଥା ନାହିଁ । ଟେଲିଭିଜନ ସମ୍ୱାଦ ଚ୍ୟାନେଲଗୁଡ଼ିକ କିଛି ଗ୍ରାହକ ଚାନ୍ଦା ପାଉଥିବା ତଥା ଦର୍ଶକ ସଂଖ୍ୟା ଅଧିକ ଥିବା ହେତୁ ବିଜ୍ଞାପନ ଆୟ ପାଇବା ଆଶାଥିବା ସ୍ଥଳେ ମୁଦ୍ରଣ ଓ ଡ଼ିଜିଟାଲ ସମ୍ୱାଦମଞ୍ଚଗୁଡ଼ିକୁ ବିକଳ୍ପ ଆୟ ପନ୍ଥା ଖୋଜି ବାହାର କରିବାକୁ ପଡ଼ିବ । ବଦାନ୍ୟତା ତଥା ସରକାରୀ ପୃଷ୍ଠପୋଷକତା ମଡ଼େଲ ଏକ ପକ୍ଷରେ ଅତି ସ୍ୱଳ୍ପ ସଂଖ୍ୟକ ସମ୍ୱାଦ ମଞ୍ଚକୁ ସୁହାଇବା ସୁଯୋଗ ଥିବା ସ୍ଥଳେ ଅପରପକ୍ଷରେ ଏହି ମଡ଼େଲରେ ଦୀର୍ଘକାଳୀନ ବ୍ୟବସାୟ ସମ୍ଭବପର ନୁହ । ଅନିଶ୍ଚିତତା ମଧ୍ୟରେ କାଳାତିପାତ କରିବା ବଦଳରେ ସ୍ଥାୟୀ ସମାଧାନ ନିମନ୍ତେ ଉଦ୍ୟମ ଅପରିହାର୍ଯ୍ୟ ।


 

ମୁଦ୍ରଣ ଓ ଡିଜିଟାଲ ସମ୍ୱାଦ ମଞ୍ଚ ଗୁଡ଼ିକର ସ୍ୱାବଲମ୍ୱୀ ‘ସଷ୍ଟେନବଲ’ ବ୍ୟାବସାୟିକ ମଡ଼େଲ ସନ୍ଧାନରେ ବହୁ ଗବେଷକ ମନୋନିବେଶ କରିଥାନ୍ତି । ଏହି କ୍ଷେତ୍ରରେ ସ୍ପେନର ନାଭାରା ବିଶ୍ୱବିଦ୍ୟାଳୟର ଗଣଯୋଗାଯୋଗ ଅଧ୍ୟାପକ ଜେମସ ବ୍ରେନିୟରଙ୍କ ଗବେଷଣାର ନିଷ୍କର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ । ଜେମସ ଅନ୍ୟ ଦୁଇଜଣ ଅଧ୍ୟାପକଙ୍କ ସହଯୋଗରେ ପୂର୍ବ ଓ ପଶ୍ଚିମ ୟୁରୋପ, ଦକ୍ଷିଣ ଆମେରିକା ଓ ଯୁକ୍ତରାଷ୍ଟ୍ର ଆମେରିକାର କୋଡ଼ିଏ ଗୋଟି ସ୍ୱାବଲମ୍ୱୀ ସମ୍ୱାଦ ମଞ୍ଚର ବ୍ୟାବସାୟିକ ମଡ଼େଲର ବିସ୍ତୃତ ଅନୁଧ୍ୟାନ କରିଥିଲେ । ଗବେଷଣା ଶେଷରେ ଏହି ସ୍ୱାବଲମ୍ୱୀ ‘ସଷ୍ଟେନବଲ’ ସମ୍ୱାଦମଞ୍ଚଗୁଡ଼ିକର ପାଞ୍ଚଗୋଟି ପ୍ରମୁଖ ଆଭିମୁଖ୍ୟ ଚ଼ିହ୍ନଟ କରାଯାଇଛି ।


 

ପ୍ରଥମତଃ, ବ୍ୟବସାୟ ପରିଚାଳନାରେ ସଫଳତା ହାସଲ କରିଥବା ସମଗ୍ର ୨୦ ଗୋଟି ସମ୍ୱାଦ ମଞ୍ଚ ନିଜକୁ ସ୍ୱାଧୀନ ଘୋଷଣା କରିଥାନ୍ତି । ସେମାନଙ୍କ କୌଣସି ରାଜନୈତିକ କିମ୍ୱା ବ୍ୟାବସାୟିକ ଆନୁଗତ୍ୟ ନାହିଁ । ସ୍ୱାଧୀନ ସମ୍ୱାଦ ମଞ୍ଚ ରୂପେ ପାଠକଙ୍କ ବିଶ୍ୱାସଭାଜନ ହେବା ବ୍ୟବସାୟରେ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଉପାଦାନ ବିବେଚନା କରାଯାଏ । ସମ୍ପାଦନା ଓ ପ୍ରକାଶନ ପରିଚାଳନାରେ ସ୍ୱଚ୍ଛତା ଅବଲମ୍ୱନକଳ୍ପେ ପ୍ରତ୍ୟେକଟି ସମ୍ୱାଦ ମଞ୍ଚ ନିଜ ବରିଷ୍ଠ କର୍ମଚାରୀଙ୍କ ପରିଚ଼ୟ, ଆୟ ବ୍ୟୟଜନିତ ହିସାବଫର୍ଦ୍ଦ ଓ ପୃଷ୍ଠପୋଷକଙ୍କ ସଂପର୍କରେ ଟିକିନିଖି ବିବରଣୀ ସର୍ବସାଧାରଣରେ ପ୍ରକାଶ କରିଥାନ୍ତି ।


 

ଅଧିକାଂଶ ସ୍ୱାବଲମ୍ୱୀ ସମ୍ୱାଦ ମଞ୍ଚ ଅନୁସନ୍ଧାନଧର୍ମୀ ସାମ୍ୱାଦିକତା ‘ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଜିମ’କୁ ପ୍ରାଧାନ୍ୟ ଦେଇଥାନ୍ତି । ଚ଼ିହ୍ନଟ କରାଯାଇଥିବା ୨୦ ଗୋଟି ମଞ୍ଚରୁ ୧୪ ଗୋଟି ମୂଳତଃ ତଦନ୍ତଧର୍ମୀ । ସେମାନେ ସମ୍ୱାଦ ସଂଗ୍ରହର ସୂତ୍ରାବଳୀ ‘ମେଥେଡ଼ୋଲଜି’ ପାଠକଙ୍କ ଅବଗତି ନିମନ୍ତେ ସୂଚ଼ିତ କରିବାକୁ ପଛାଇନଥାନ୍ତି ।


 

ନିରପେକ୍ଷ ସମ୍ୱାଦ ମଞ୍ଚ ଓ ସେଗୁଡ଼ିକର ସ୍ୱାଧୀନ କାର୍ଯ୍ୟଧାରା ପାଠକମାନଙ୍କ ବିଶ୍ୱାସଭାଜନ ହେଉଥିବା ଏହି ଗବେଷଣାରୁ ସୁସ୍ପଷ୍ଟ । ସମକାଳୀନ ଘଟଣାଗୁଡ଼ିକର ସବିଶେଷ ତଥ୍ୟ ପାଠକମାନେ ଖୋଜନ୍ତି ଏବଂ ସେହିଭଳି ସୂତ୍ରର ସନ୍ଧାନ ପାଇଲେ ଗ୍ରାହକ ଚାନ୍ଦା ବିନିମୟରେ ସମ୍ୱାଦମଞ୍ଚରେ ଉପସ୍ଥିତ ରହିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ।


 

ଦ୍ୱିତୀୟତଃ, ସଫଳ ସମ୍ୱାଦ ମଞ୍ଚଗୁଡ଼ିକ ସ୍ଥାନୀୟ ଜନଜୀବନର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥାନ୍ତି । ପାଠକମାନଙ୍କ ସମସ୍ୟା ଆଧାରିତ ସମ୍ୱାଦ ସେମାନଙ୍କୁ ସମ୍ୱାଦମଞ୍ଚ ପ୍ରତି ଆକର୍ଷିତ କରେ । ସର୍ବେକ୍ଷଣରେ ଚ଼ିହ୍ନଟ କରାଯାଇଥିବା ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟରୁ ଅର୍ଦ୍ଧେକ ବିଜ୍ଞାପନ ପ୍ରକାଶ କରନ୍ତି ନାହିଁ । ଅନ୍ୟମାନେ ବିଜ୍ଞାପକମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତି ନାହିଁ ।


 

ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ ସମ୍ୱାଦମଞ୍ଚଗୁଡ଼ିକ ପାଠକଙ୍କ ସ୍ୱାର୍ଥ ସମ୍ୱଳିତ ସମ୍ୱାଦ ପ୍ରକାଶନ ପ୍ରତି ଯତ୍ନଶୀଳ ହେଲେ ସେମାନେ ସଂପୃକ୍ତ ସମ୍ୱାଦ ମଞ୍ଚପ୍ରତି ଆକର୍ଷିତ ତଥା ଗ୍ରାହକ ଶ୍ରେଣୀଭୁକ୍ତ ହେବା ସମ୍ଭବପର ।


 

ତୃତୀୟତଃ, ସର୍ବେକ୍ଷଣରେ ବିଶ୍ଳେଷଣ କରାଯାଇଥିବା ସମସ୍ତ ସ୍ୱାବଲମ୍ୱୀ ସମ୍ୱାଦମଞ୍ଚ ଡିଜିଟାଲ-ଫାଷ୍ଟ । ଏତଦ୍ୱାରା ତିନିଗୋଟି ଉଦ୍ଦେଶ୍ୟ ଚରିତାର୍ଥ ହୋଇଥାଏ । ଡିଜିଟାଲ-ଫାଷ୍ଟ ପରିବେଶରେ ଉପଭୋକ୍ତାଗଣ ତତ୍ କ୍ଷଣାତ ଘଟଣା ସଂପର୍କରେ ଅବଗତ ହୋଇ ଗଭୀର ଅନୁଧ୍ୟାନ ନିମନ୍ତେ ଆଗ୍ରାହାନ୍ୱିତ ହୋଇଥାନ୍ତି, ପ୍ରକାଶିତ ସମ୍ୱାଦଗୁଡ଼ିକ ହାଇପର-ଲିଙ୍କ ଯୋଗେ ମୌଳିକ ସୂତ୍ର ସହ ଉପଭୋକ୍ତାଙ୍କୁ ସଂଯୁକ୍ତ କରିବା ଫଳରେ ବିଶ୍ୱାସନୀୟତା ବୃଦ୍ଧି ପାଏ ଏବଂ ସୋସିଆଲ ମିଡ଼ିଆରେ ସେୟାର ହେବା ବିଭବ ଉପଯୋଗରେ ଅଧିକରୁ ଅଧିକ ସଂଖ୍ୟକଙ୍କୁ ଆକୃଷ୍ଟ କରିପାରିରେ । ଏଦତ୍ ବ୍ୟତୀତ ଡିଜିଟାଲ-ଫାଷ୍ଟ ଆଙ୍ଗିକ ମଲଟିମିଡ଼ିଆ ବ୍ୟବହାରର ସୁଯୋଗ ସୃଷ୍ଟି କରେ ।


 

ଚ଼ତୁର୍ଥତଃ, ସମସ୍ତ ସମ୍ୱାଦମଞ୍ଚ ପାଠକମାନଙ୍କ ସହ ସମ୍ୱାଦ ପ୍ରସାରଣ ପ୍ରକ୍ରିୟାରେ ସହବନ୍ଧିତ ହେବା ‘ଅଡ଼ିଏନ୍ସ ଏଙ୍ଗେଜମେଣ୍ଟ’ ନିମନ୍ତେ ଅନବରତ ପ୍ରୟାସ ଜାରୀ ରଖିଥାନ୍ତି । ଡିଜିଟାଲ-ଫାଷ୍ଟ ସମ୍ୱାଦ ଉପସ୍ଥାପନ କାଳରେ ପାଠକ ଓ ଦର୍ଶକମାନଙ୍କ ମନ୍ତବ୍ୟ ‘କମେଣ୍ଟ’ ପ୍ରକାଶନ ଏକ ବଡ଼ ସୁଯୋଗ । ସେହିପରି ସମ୍ୱାଦ, ଗ୍ରାହକ ଓ ଦାନ ସଂଗ୍ରହ କ୍ଷେତ୍ରରେ ମଧ୍ୟ ଉପଭୋକ୍ତାଙ୍କୁ ସାମିଲ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଥାଏ । ପରବର୍ତ୍ତିତ ପରିସ୍ଥିତିରେ ସାମ୍ୱାଦିକ, ପ୍ରକାଶକ ଓ ଉପଭୋକ୍ତା ପ୍ରକାଶନ ଉଦ୍ୟମରେ ସମ୍ମିଳିତ ହେଲେ ଯାଇ ସମ୍ୱାଦମଞ୍ଚ ସ୍ୱାବଲମ୍ୱୀ ହେବା ସଂଭବ ବୋଲି ଅନୁଧ୍ୟାନରୁ ଜଣାଯାଏ ।


 

ପଞ୍ଚମତଃ, ଗବେଷଣା ନିମନ୍ତେ ନିର୍ବାଚିତ ଆନ୍ତର୍ଜାତିକସ୍ତରର ୨୦ ଗୋଟି ସ୍ୱାବଲମ୍ୱୀ ସମ୍ୱାଦ ମଞ୍ଚ କୌଣସି ରାଜନେତା, ବ୍ୟବସାୟୀ ବା ସାମାଜିକ ଅନୁଷ୍ଠାନ ବଦଳରେ ଅଭିଜ୍ଞ ସାମ୍ୱାଦିକମାନଙ୍କ ଦ୍ୱାରା ପ୍ରତିଷ୍ଠିତ । ସେଥିମଧ୍ୟରୁ ଅଧିକାଂଶ ସାମ୍ୱାଦିକ ଅତୀତରେ ପାରମ୍ପରିକ ମୁଦ୍ରଣ ବା ଟେଲିଭିଜନ ମଞ୍ଚରେ କାର୍ଯ୍ୟ କରୁଥିଲେ । ସେମାନଙ୍କ ଅଭିଜ୍ଞତା, ପ୍ରସିଦ୍ଧି ଓ ବିଶ୍ୱାସନୀୟତା ନୂତନ ସମ୍ୱାଦମଞ୍ଚ ଗଢ଼ି ତୋଳିବାରେ ସହାୟକ ହୋଇଥିବା ପ୍ରମାଣିତ । ପ୍ରତିଷ୍ଠାତାଙ୍କ ବ୍ୟକ୍ତିତ୍ୱ ସମ୍ୱାଦମଞ୍ଚ ନିମନ୍ତେ ନିବେଶକ, ସାମ୍ୱାଦିକ ଓ କର୍ମଚାରୀଙ୍କୁ ଆକର୍ଷିତ କରିଥିବା ଜଣାଯାଏ ।


 

ୟୁରୋପୀୟ ରାଷ୍ଟ୍ରପୁଞ୍ଜ, ଲାଟିନ ଆମେରିକା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୨୦ରେ ଆୟୋଜିତ ଜେମେସ ବ୍ରେନିୟରଙ୍କ ସର୍ବେକ୍ଷଣର ନିଷ୍କର୍ଷ ବିଶ୍ୱର ବିଭିନ୍ନ ପ୍ରାନ୍ତ ନିମନ୍ତେ ଊଣାଅଧିକେ ପ୍ରଯୁଜ୍ୟ ବୋଲି ବିଶ୍ୱାସ କରାଯାଇପାରେ । ଓଡ଼ିଶାଭଳି ରାଜ୍ୟରେ ଶିକ୍ଷା, ଅର୍ଥନୀତି ଓ ଡ଼ିଜିଟାଲ କ୍ଷେତ୍ରରେ ଅନଗ୍ରସରତା କେତେ ପରିମାଣରେ ଅନ୍ତରାୟ ସୃଷ୍ଟି କଲେ ସୁଦ୍ଧା ରାଜ୍ୟବାସୀ ଦୃତ ବେଗରେ ଡିଜିଟାଲ ମୁହାଁ ହେଉଥିବା ହେତୁ ପାରମ୍ପରିକ ସାମ୍ୱାଦିକତାରେ ସମ୍ଭାବ୍ୟ ବିଘଟନର ମୁକାବିଲା ନିମନ୍ତେ ପୂର୍ବପ୍ରସ୍ତୁତିର ଉପାଦେୟତାକୁ ଅସ୍ୱୀକାର କରିହେବ ନାହିଁ ।                    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଡ଼ିସେମ୍ୱର ୨୦୨


ସର୍ବେକ୍ଷଣର ସଂକ୍ଷିପ୍ତ ବିବରଣୀ ପାଠ ନିମନ୍ତେ ନିମ୍ନପ୍ରଦତ୍ତ ଲିଙ୍କକୁ କ୍ଳିକ କରନ୍ତୁ :


 

https://jamesbreiner.com/is-quality-journalism-sustainable-here-are-20-media-organizations-that-are-solving-this-problem/


  

ତଥ୍ୟ:



Bereiner, James. 5 Things sustainable journalism organizations have in common. Media Entrepreneurship. November 17, 2020. 


 

https://ijnet.org/en/story/5-things-sustainable-journalism-organizations-have-common?utm_source=API+Need+to+Know+newsletter&utm_campaign=eb47c434a3-EMAIL_CAMPAIGN_2020_11_20_01_18&utm_medium=email&utm_term=0_e3bf78af04-eb47c434a3-45838153

ବିଶ୍ୱ ସମ୍ୱାଦ ଦିବସ

‘ୱାର୍ଲଡ଼ ନିଉଜ ମିଡ଼ିଆ କଂଗ୍ରେସ’ର ୭୩ତମ ଅଧିବେଶନ ସ୍ପେନର ଜାରାଗୋଜାଠାରେ ୨୮,୨୯ ଓ ୩୦ ସେପ୍ଟେମ୍ୱର ୨୦୨୨ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୨୮ ସେପ୍ଟେମ୍ୱରରେ ବିଶ୍ୱ ସମ୍ବାଦ ଦିବସ ‘ୱାର୍ଲଡ଼ ନିଉଜ ଡ଼େ’ ପାଳନ ଅନ୍ୟତମ ଆକର୍ଷଣ । ‘ୱାର୍ଲଡ଼ ଏସୋସିଏସନ ଅଫ ନିଉଜ ପବ୍ଲିଶର୍ସ’ ସଂଗଠନ ଅଧୀନସ୍ଥ ‘ୱାର୍ଲଡ଼ ଏଡ଼ିଟର୍ସ ଫୋରମ’ ଆନୁକୂଲ୍ୟରେ ‘ଦି କାନାଡ଼ିଆନ ଜର୍ଣ୍ଣାଲିଜମ ଫାଉଣ୍ଡେସନ’ ଓ ‘ଗୁଗୁଲ ନିଉଜ ଇନିସିଏଟିଭ’ ସହାୟତାରେ ‘ୱାର୍ଲଡ଼ ନିଉଜ ଡ଼େ’ ୨୦୧୮ରୁ ବିଗତ ପାଞ୍ଚ ବର୍ଷ ଧରି ପାଳିତ ହୋଇଆସୁଛି । ଆନ୍ତର୍ଜାତିକସ୍ତରରେ ସାମ୍ୱାଦିକତାର ଭୂମିକା, ଗୁରୁତ୍ୱ ଓ ପ୍ରତିବଦ୍ଧତା ଦିଗରେ ଦୃଷ୍ଟି ଆକର୍ଷଣ ‘ବିଶ୍ୱ ସମ୍ୱାଦ ଦିବସ’ ପାଳନର ମୂଳ ଉଦ୍ଦେଶ୍ୟ ।

 

‘ୱାର୍ଲଡ଼ ଏସୋସିଏସନ ଅଫ ନିଉଜପେପର୍ସ ଏଣ୍ଡ ନିଉଜ ପବ୍ଳିଶର୍ସ’ରେ ବିଶ୍ୱବ୍ୟାପୀ ୧୮ ହଜାରରୁ ଉର୍ଦ୍ଧ୍ୱ ପ୍ରକାଶନ ସଦସ୍ୟ ଶ୍ରେଣୀଭୁକ୍ତ । ଶତାଧିକ ରାଷ୍ଟ୍ରରେ ପରିବ୍ୟାପ୍ତ ଏହି ସଂଗଠନ ୧୯୪୮ରେ ସ୍ଥାପିତ ହୋଇଥିଲା । ଜର୍ମାନର ଫ୍ରାଙ୍କଫର୍ଟଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ । ‘ୱାର୍ଲଡ଼ ଏଡ଼ିଟର୍ସ ଫୋରମ’ ପକ୍ଷରୁ ୨୦୧୮ରେ ପ୍ରତିଷ୍ଠିତ ଦକ୍ଷିଣ ଏସିଆ ଶାଖାରେ ଭାରତର ଆନନ୍ଦ ବଜାର ପତ୍ରିକା, ମାଳାୟଳା ମନୋରମା, ଦୈନିକ ଭାସ୍କର, ଇଣ୍ଡିଆନ ଏକ୍ସପ୍ରେସ, ହିନ୍ଦୁସ୍ତାନ ଟାଇମ୍ସ, ଡେକାନ ହରାଲଡ଼, ଦି କୁଇଣ୍ଟ ଇତ୍ୟାଦି ସମ୍ୱାଦ ପ୍ରତିଷ୍ଠାନର ସମ୍ପାଦକଗଣ ସଂପୃକ୍ତ । ହିନ୍ଦୁର ସମ୍ପାଦକ ମୁକୁନ୍ଦ ପଦ୍ମନାଭନ ଶାଖାର ଅଧ୍ୟକ୍ଷ ରୂପେ ଅବସ୍ଥାପିତ ।

 

‘ବିଶ୍ୱ ସମ୍ୱାଦ ଦିବସ’ ପାଳନ ଅବସରରେ ବିଶ୍ୱବ୍ୟାପୀ ବିଭିନ୍ନ ସମ୍ୱାଦ ମଞ୍ଚରେ ସାମ୍ୱାଦିକତାର ଗୁଣାତ୍ମକ ବିକାଶ, ବୈଷୟିକ ପ୍ରଗତିରେ ଯୋଗଦାନ ଓ ଅଭିବ୍ୟକ୍ତିରେ ସ୍ୱାଧୀନତା ଭଳି ଚଳନ୍ତି ସମସ୍ୟାବଳୀ ସଂପର୍କରେ ଆଲୋକପାତ କରାଯାଇଥାଏ । ବ୍ରିଟେନର ‘ଫାଇନାନସିଆଲ ଟାଇମ୍ସ’, କାନାଡ଼ାର ‘ଦି ଗ୍ଳୋବ ଏଣ୍ଡ ମେଲ’, ସିଙ୍ଗାପୁରର ‘ଦି ଷ୍ଟ୍ରେଟ୍ସ ଟାଇମ୍ସ’ ତଥା ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ନ୍ୟୂଜିଲ୍ୟାଣ୍ଡର କେତେକ ସମ୍ୱାଦମଞ୍ଚ ଏଥିରେ ଅଗ୍ରଗଣ୍ୟ । ଏହି ଅବସରରେ ଭାରତରେ ମାଳାୟଳମ ସମ୍ୱାଦପତ୍ର ‘ମାତୃଭୂମି’ ପକ୍ଷରୁ ତିରୁଭନ୍ତପୁରମଠାରେ ଆୟୋଜିତ ଆଲୋଚ଼ନାଚକ୍ରରେ ଏନ. ରାମ, ଆରୁଣ ସୌରୀ, ରାଜଦୀପ ସରଦେଶାଇ, ରୁବେନ ବାନାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ ।

 

ଆୟୋଜକଗଣ ‘ବିଶ୍ୱ ସମ୍ୱାଦ ଦିବସ’ ପାଳନର ତାତ୍ପର୍ଯ୍ୟ ବାବଦରେ ମୁଖ୍ୟତଃ ଦୁଇଗୋଟି ଦିଗକୁ ଗୁରୁତ୍ୱ ଦେଇଥାନ୍ତି । ସାମ୍ୱାଦିକତା ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥାଏ । ବ୍ୟକ୍ତିଗତ ଓ ସାମୂହିକ ଉଭୟ ସ୍ତରରେ ବିଭିନ୍ନ ସମସ୍ୟା ସଂପର୍କରେ ଜନସାଧାରଣ, ନାଗରିକ ସମାଜ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ ତଥା ସମସ୍ୟା ସମାଧାନର ପନ୍ଥା ନିର୍ଦ୍ଧାରଣ ଲାଗି ଅଭିମତ ସଂଚାଳନ ସାମ୍ୱାଦିକତାର ବିଶେଷତ୍ୱ । ଏହି ଦିଗରେ ସାମ୍ୱାଦିକ ଓ ଜନସାଧାରଣ ଉଭୟଙ୍କୁ ସଚ଼େତନ କରାଇବା ‘ବିଶ୍ୱ ସମ୍ୱାଦ ଦିବସ’ ପାଳନର ମୌଳିକ ଉଦ୍ଦେଶ୍ୟ । ଅପରପକ୍ଷରେ ଗୁଣାତ୍ମକ ସାମ୍ୱାଦିକତାର ଉଦାହରଣ ଚର୍ଚ୍ଚା ଦ୍ୱାରା ସର୍ବସାଧାରଣରେ ସାମ୍ୱାଦିକତାର ଆଦର ବଢ଼ିବା ସଙ୍ଗେ ନୂତନ ପିଢ଼ିର ସାମ୍ୱାଦିକମାନେ ସାମ୍ୱାଦିକତାରେ ଉତ୍କର୍ଷ ପ୍ରତି ଆଗ୍ରାହାନ୍ୱିତ ହେବା ବିଶ୍ୱାସ କରାଯାଏ ।

 

ସମସାମୟିକ ସାମାଜିକ ବ୍ୟବସ୍ଥାରେ ସାମ୍ୱାଦିକତାର ଭୂମିକାକୁ ନେଇ ସମାଜତତ୍ତ୍ୱବିତମାନେ ଉଦବେଗ ପ୍ରକାଶ କରିଥାନ୍ତି । ‘ବିଶ୍ୱ ସମ୍ୱାଦ ଦିବସ’ ପାଳନ ଅବସରରେ ‘ୱାର୍ଲଡ଼ ଇକନୋମିକ ଫୋରମ’ର ପରିଚାଳନା ନିର୍ଦ୍ଦେଶକ ଆଡ଼େରିଆନ ମଙ୍କ କହିଥିଲେ ଯେ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭ ସୁଦ୍ଧା ବୈଷୟିକ ପ୍ରଗତି ସମ୍ୱାଦ, ଅଭିମତ ଓ ଚ଼ିନ୍ତାଧାରା ତତକ୍ଷଣାତ ପ୍ରସାରଣର ସୁବିଧା ସର୍ବସାଧାରଣରେ ଉପଲବ୍ଧ ହୋଇପାରିଛି । ଏହି ପରିବେଶ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିବ୍ୟାପ୍ତିରେ ପର୍ଯ୍ୟବଶିତ ହେବା କଥା । ବିଡ଼ମ୍ୱନାର ବିଷୟ ଅତ୍ୟାଧୁନିକ କାରିଗରୀ କୌଶଳ ଅସତ୍ୟ, ଅର୍ଦ୍ଧସତ୍ୟ, ଗୁଜବ, ଉଦ୍ଦେଶ୍ୟ ପ୍ରଣୋଦିତ ଓ ପ୍ରଚାରଧର୍ମୀ ତଥ୍ୟ ପ୍ରସାରଣର ବାହକ ସାଜିବାରେ ଲାଗିଛି । ଏତଦ୍ୱାରା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଧୃବୀକରଣ ‘ପୋଲରାଇଜେସନ’ ତଥା ରାଜନୀତିକ, ଜାତୀୟବାଦୀ ଓ ଗୋଷ୍ଠୀଭିତ୍ତିକ ହିଂସାକାଣ୍ଡକୁ ପ୍ରୋତ୍ସାହିତ କରୁଛି । ଏହି ଦୁରାବସ୍ଥାକୁ ରୋକିବା ନିମନ୍ତେ ବହୁଳମାତ୍ରାରେ ତଥ୍ୟ-ଭିତ୍ତିକ ସାମ୍ୱାଦିକତାର ପ୍ରସାର ହିଁ ଏକମାତ୍ର ଉପାୟ ।

 

‘ୱାର୍ଲଡ଼ ଏଡ଼ିଟର୍ସ ଫୋରମ’ର ଅଧ୍ୟକ୍ଷ ୱାରେନ ଫର୍ଣ୍ଣାଡ଼ିସ ସିଙ୍ଗାପୁରର ‘ଦି ଷ୍ଟ୍ରେଟ୍ସ ଟାଇମ୍ସ’ର ସମ୍ପାଦକ । ତାଙ୍କରି ବିଚାରରେ ୟୁରୋପ, ମଧ୍ୟ-ଏସିଆ ଓ ତାଇୱାନରେ ବିଶୃଙ୍ଖଳା କାରଣରୁ ଆନ୍ତର୍ଜାତିକସ୍ତରରେ ନିରାପତ୍ତା ବିପନ୍ନ ହୋଇପଡ଼ିଛି । ବ୍ୟାପକ ବନ୍ୟା, ବନାଗ୍ନି ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ବିଶ୍ୱବାସୀଙ୍କୁ ଭୀତତ୍ରସ୍ତ କରିପକାଇଛି । ସଂଘର୍ଷ, ଦୁର୍ବିପାକ ଆଧାରିତ ନକାରାତ୍ମକ ସମ୍ୱାଦରେ ଗଣମାଧ୍ୟମ ଉପଭୋକ୍ତା ଭରାକ୍ରାନ୍ତ । ଏହି ପରିବେଶରେ ଅସତ୍ୟ ସମ୍ୱାଦ ‘ଫେକ ନିଉଜ’ର ପ୍ରସାର ଜନସାଧାରଣଙ୍କୁ ଅସତ ମାର୍ଗ ଆବୋରି ନେବା ନିମନ୍ତେ ପ୍ରୋତ୍ସାହିତ କରିବାରେ ଲାଗିଛି ଏବଂ ସାମାଜିକ ବିଶୃଙ୍ଖଳାର କାରଣ ପାଲଟୁଛି । ଅଭିଜ୍ଞତାରୁ ଜଣାଯାଏ ଯେ କେତେକ କ୍ଷେତ୍ରରେ ଉଦ୍ଦେଶ୍ୟମୂଳକଭାବେ ଅସତ୍ୟ ସମ୍ୱାଦ ପ୍ରଯୋଜନା ଉଦ୍ୟମ ହେଉଥିବା ସ୍ଥଳେ ବହୁକ୍ଷେତ୍ରରେ ଅଜାଣତରେ ଉପଭୋକ୍ତାଗଣ ଅସତ୍ୟ ପ୍ରସାରଣରେ ଭାଗୀଦାର ହୋଇପଡ଼ନ୍ତି । ପ୍ରଥମ ସମସ୍ୟାଠାରୁ ଦ୍ୱିତୀୟ ସମସ୍ୟାଟି ଗୁରୁତର । କାରଣ ଏତଦ୍ୱାରା ଅସତ୍ୟ ବନାଗ୍ନିତୁଲ୍ୟ ବ୍ୟାପିଥାଏ ।

 

ଅସତ୍ୟ ପ୍ରସାରଣକୁ ରୋକିବା ନିମନ୍ତେ ସତ୍ୟନିଷ୍ଠ ସମ୍ୱାଦ ପ୍ରସାରଣ ପ୍ରତି ଗୁରୁତ୍ୱ ଆରୋପ ଜରୁରୀ । ମୂଳସ୍ରୋତର ଗଣମାଧ୍ୟମରେ ଅବସ୍ଥାପିତ ସମ୍ପାଦକ ଓ ସାମ୍ୱାଦିକଙ୍କ ଏହି କ୍ଷେତ୍ରରେ ବ୍ୟାପକ ଅବଦାନ ସଂଭବପର । କାରଣ ଅସତ୍ୟ ପ୍ରସାର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବ । ସତ୍ୟନିଷ୍ଠ ସମ୍ୱାଦ ପ୍ରଯୋଜନା ଉନ୍ନତ ରୁଚ଼ି, ପରିଶ୍ରମ ଓ ଆନୁଷ୍ଠାନିକ ସହଯୋଗ ଆବଶ୍ୟକ କରେ । ଏହି ଦୃଷ୍ଟିକୋଣର ପ୍ରଚାର ଓ ପ୍ରସାରକୁ ପ୍ରାଥମିକତା ଦେବାକୁ ପଡ଼ିବ । ଗଣମାଧ୍ୟମ ଉପଭୋକ୍ତା ବିଶ୍ୱସନୀୟ ସମ୍ୱାଦ ସାଙ୍ଗକୁ ସମ୍ୱାଦ ବିଶ୍ଳେଷଣ ଓ ଅଭିମତ ଆବଶ୍ୟକ କରୁଥିବା ବହୁ ଗଣମାଧ୍ୟମ ଗବେଷଣାରୁ ପ୍ରମାଣିତ । ସମ୍ୱାଦର ବହୁମୁଖୀ ଦିଗକୁ ଋଦ୍ଧିମନ୍ତ କରିବା ସମୟର ଆହ୍ୱାନ ।

 

ଡ଼େଭିଡ଼ ୱିଲମସଲେ କାନାଡ଼ାର ‘ଦି ଗ୍ଳୋବ ଏଣ୍ଡ ମେଲ’ର ସମ୍ପାଦକ ଓ ‘ବିଶ୍ୱ ସମ୍ୱାଦ ଦିବସ’ର ଅଭିଯାନର ପ୍ରାଣ-ପ୍ରତିଷ୍ଠାତା । ସେ କହନ୍ତି କୌଣସି ବ୍ୟକ୍ତି, ଗୋଷ୍ଠୀ ବା ରାଷ୍ଟ୍ରରେ ସକାରାତ୍ମକ ପରିବର୍ତ୍ତନ ଦିଗରେ ସାମ୍ୱାଦିକତା ଉପଯୋଗ ହୋଇପାରିବ । ବ୍ୟକ୍ତି ଓ ସମାଜ ଅତ୍ୟନ୍ତ ଅସହାୟ ଅବସ୍ଥାରେ ପହଞ୍ଚିବା ଅବସରରେ ସାମ୍ୱାଦିକତାକୁ ତ୍ରାଣକର୍ତ୍ତା ମନେକରିଥାନ୍ତି । ଅବହେଳିତଙ୍କ ନାର୍ଯ୍ୟଦାବୀ ସମାଜ ସମ୍ମୁଖରେ ଉପସ୍ଥାପନ ସାମ୍ୱାଦିକତାର ଧର୍ମ । ବିଶ୍ୱ ସମ୍ୱାଦ ଦିବସ ପାଳନ ଅବସରରେ ସମାଜରେ ସକାରାତ୍ମକ ପରିବର୍ତ୍ତନରେ ସୂତ୍ରଧର ସାଜିଥିବା ଦେଶ ବିଦେଶର ସାଂବାଦିକତାର ଉଦାହରଣ ଚର୍ଚ୍ଚା କରିବାଲଗି ସୁଯୋଗ ସୃଷ୍ଟି ହୋଇଥାଏ । ସର୍ବସାଧାରଣରେ ଗଣମାଧ୍ୟମ ସାକ୍ଷରତା ପ୍ରସାର ଓ ତୃଣମୂଳସ୍ତରର ସାମ୍ୱାଦିକତା ବିକାଶ ଉଦ୍ୟମ ଏହି ଭଳି ଅଭିଯାନ ଆୟୋଜନର ଅନ୍ୟତମ ଲକ୍ଷ୍ୟ ବିବେଚିତ ।

 

ଅତୀତରେ ଶିକ୍ଷାଦୀକ୍ଷା ତଥା ଗଣମାଧ୍ୟମ ମଞ୍ଚ ଅଭାବରୁ ଜନସାଧାରଣଙ୍କ ସମ୍ୱାଦ ସହ ସଂପୃକ୍ତି ଅଭାବ ଅନୁଭୂତ ହେଉଥିଲା । ତେବେ ଡ଼ିଜିଟାଲ ମଞ୍ଚରେ ଉପଭୋକ୍ତାଗଣ ଦୈନନ୍ଦିନ ଦୀର୍ଘକାଳ ଉପସ୍ଥିତ ରହିବା ସତ୍ତ୍ୱେ ଜ୍ଞାତସାରରେ ସମ୍ୱାଦ ଆହରଣରୁ ବିରତ ହେଉଥିବା ଗବେଷଣାଲବ୍ଧ ତଥ୍ୟାବଳୀ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭରେ ଆଲୋଡ଼ନ ସୃଷ୍ଟି କରିଥାଏ । ବିଶେଷତଃ କରୋନା ମହାମାରୀ କାଳରେ ସାମ୍ୱାଦିକତା ବିଶ୍ୱସନୀୟତା ହରାଉଥିବା ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା । ଏହି ଅବସରରେ ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶ ଦ୍ୱାରା ହୃତଗୌରବ ଫେରାଇ ଆଣିବା ବିଶ୍ୱାସ କରାଯାଏ । ସମ୍ୱାଦ ଓ ଅଭିମତ ଉପସ୍ଥାପନ ବର୍ଗୀକୃତ କରିବା ତଥା ପରିବେଷିତ ତଥ୍ୟାବଳୀରେ ଭୂଲଭଟକା ସଂଶୋଧନ ଧାରା ସାମ୍ୱାଦିକତାକୁ ବିଶ୍ୱସନୀୟ ଗଢ଼ିତୋଳିବାରେ ସହାୟକ ହେବା ଗଣମାଧ୍ୟମ ବିଶେଷଜ୍ଞମାନେ ବିଶ୍ୱାସ କରିଥାନ୍ତି । ବିଶ୍ୱ ସମ୍ୱାଦ ଦିବସରେ ସାମ୍ୱାଦିକତାର ସୁରକ୍ଷାଲାଗି ଉଭୟ ସାମ୍ୱାଦିକ ଓ ପାଠକଙ୍କୁ ସଚ଼େତନ କରାଇବା ଉଦ୍ୟମ ଅଭିପ୍ରେତ ।                     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅକ୍ଟୋବର ୨୦୨


ତଥ୍ୟ:



Monck, Adrian. World News Day : Disinformation is a scourge on public discourse. Fact-based journalism can stop it. American Press Institute. September 28, 2022.

 

https://www.americanpressinstitute.org/publications/articles/world-news-day/

 

Walmslay, David. The convening power of independent journalism has never been more important- World News Day.

 

https://worldnewsday.org/david-walmsley-the-convening-power-of-independent-journalism-has-never-been-more-important/

 

Dernandez, Warren. In times of crisis and change, journalism plan a critical role in society-World News Day

 

https://worldnewsday.org/warren-fernandez-in-times-of-crisis-and-change-journalists-play-a-critical-role-in-society/ 

ଜାତୀୟ ପ୍ରେସ ଦିବସ ୨୦୨୨

ଆମ ଦେଶରେ ଭାରତୀୟ ପ୍ରେସ ପରିଷଦ ‘ଇଣ୍ଡିଆନ ପ୍ରେସ କାଉନସିଲ’ ପ୍ରତିଷ୍ଠା ଦିବସ ୧୬ ନଭେମ୍ୱରକୁ ଜାତୀୟ ପ୍ରେସ ଦିବସ ‘ନ୍ୟାସନାଲ ପ୍ରେସ ଡ଼େ’ ଭାବେ ପାଳନ କରାଯାଏ । ଭାରତୀୟ ପ୍ରେସ ପରିଷଦ ଏକ ବୈଧାନିକ ପ୍ରତିଷ୍ଠାନ, ସ୍ୱତନ୍ତ୍ର ଆଇନ ଅନୁଯାୟୀ ପରିଚାଳିତ ଓ ସଂସଦ ଦ୍ୱାରା ଗଠିତ । ପ୍ରଥମ ପରିଷଦ ୧୯୬୬ ନଭେମ୍ୱର ୧୬ ତାରିଖ ଦିନ ଗଠନ କରାଯାଇଥିଲା । ସେହି ଦିବସ ‘ଜାତୀୟ ପ୍ରେସ ଦିବସ’ ରୂପେ ପାଳିତ ହୋଇଥାଏ । ଭାରତୀୟ ପ୍ରେସ ପରିଷଦ ପକ୍ଷରୁ ୧୯୯୭ରୁ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସାମ୍ୱାଦିକତାର ଦିଗ-ଦିଗନ୍ତ ସଂପର୍କରେ ଆଲୋଚ଼ନାଚକ୍ରମାନ ଆୟୋଜନ କରାଯାଇଆସୁଛି ।

 

ପ୍ରେସ କାଉନସିଲ ଆଇନ ୧୯୬୬ରେ ପ୍ରଣୟନ ବେଳେ ଦେଶରେ ମୁଦ୍ରିତ ଗଣମାଧ୍ୟମ ଏକ ମାତ୍ର ପ୍ରଭାବଶାଳୀ ଗଣମାଧ୍ୟମ ରୂପେ ବିବେଚ଼ିତ ହେଉଥିଲା । ରେଡ଼ିଓ ସରକାରୀ ପରିଚାଳନାଧୀନ ରହିଥିଲା । ପୂର୍ବରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସମ୍ୱାଦପତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏବଂ ଇଂଲିଶ ସରକାର ପରାଧୀନ ଭାରତରେ ସମ୍ୱାଦପତ୍ର ଓ ସାମ୍ୱାଦିକତାର କଣ୍ଠରୋଧ ନିମନ୍ତେ କ୍ରମାଗତ ଆଠ ଦଶନ୍ଧିଧରି ଉଦ୍ୟମ କରିଆସିଥିଲେ । ଦେଶ ସ୍ୱାଧୀନ ହେବା ପରେ ଭାରତୀୟ ସାମ୍ୱାଦିକତାର ସ୍ୱାଧୀନତା ସୁରକ୍ଷା ଓ ଗୁଣାତ୍ମକ ବିକାଶ ପର୍ଯ୍ୟାଲୋଚ଼ନା କରିବା ନିମନ୍ତେ ପ୍ରଥମ ପ୍ରେସ କମିସନ ଗଠନ କରାଯାଇଥିଲା । ପ୍ରଥମ ପ୍ରେସ କମିସନର ପରାମର୍ଶ କ୍ରମେ ଭାରତୀୟ ପ୍ରେସ ପରିଷଦ ଆଇନ ପ୍ରଣୀତ ହୋଇ ପ୍ରଥମ ପରିଷଦ ଗଠିତ ହୋଇଥିଲା । ଏହି କାରଣରୁ ଭାରତୀୟ ପ୍ରେସ ପରିଷଦର କାର୍ଯ୍ୟ ପରିସର କେବଳ ମୁଦ୍ରିତ ଗଣମାଧ୍ୟମ ମଧ୍ୟରେ ସୀମିତ ହୋଇରହିଛି ।

 

ପରବର୍ତ୍ତୀ ସମୟରେ ଜରୁରୀକାଳୀନ ପରିସ୍ଥିତି ପରେ ୧୯୭୮ରେ ୧୯୬୬ର ଭାରତୀୟ ପ୍ରେସ ପରିଷଦ ଆଇନ ପ୍ରତ୍ୟାହାର କରାଯାଇ ନୂତନ ଆଇନ ପ୍ରଣୟନ କରାଯାଇଥିଲା । ତେବେ ଦେଶରେ ୧୯୮୨ ପରେ ଟେଲିଭିଜନ ଏବଂ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଡ଼ିଜିଟାଲ ମିଡ଼ିଆ ପ୍ରସାର ଲାଭ କରିଥିବା ହେତୁ ଏଗୁଡ଼ିକ ଭାରତୀୟ ପ୍ରେସ ପରିଷଦ ପରିସରଭୁକ୍ତ ହୋଇପାରିନାହିଁ । ବିଂଶ ଶତାଦ୍ଦୀ ଶେଷ ସୁଦ୍ଧା ‘ପ୍ରେସ’ କହିଲେ ‘ଗଣମାଧ୍ୟମ’ ଓ ‘ସାମ୍ୱାଦିକତା’କୁ ବୁଝାଉଥିଲା । କିନ୍ତୁ ବିଂଶ ଶତାଦ୍ଦୀ ଶେଷ ଦଶକରେ ଘରୋଇ ସାଟେଲାଇନ ଟେଲିଭିଜନର ପ୍ରସାର, ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ଡ଼ିଜିଟାଲ ମିଡ଼ିଆ ଓ ଦ୍ୱିତୀୟ ଦଶକରେ ସୋସିଆଲ ମିଡିଆର ପ୍ରସାର ଗଣମାଧ୍ୟମର ସ୍ୱରୂପକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଛି । ତଥାପି ‘ଜାତୀୟ ପ୍ରେସ ଦିବସ’ ପାଳନ ଅବସରରେ ରାଷ୍ଟ୍ରବ୍ୟାପୀ ଗଣମାଧ୍ୟମରେ ସଂପୃକ୍ତ ବ୍ୟକ୍ତିବିଶେଷ ‘ସାମ୍ୱାଦିକତା’ର ଆହ୍ୱାନ ସଂପର୍କରେ ଆଲୋଚ଼ନା କରିଥାନ୍ତି ।

 

ଜାତୀୟ ପ୍ରେସ ଦିବସ ୨୦୨୨ ପାଳନ ବେଳକୁ ଭାରତ ସମେତ ବିଶ୍ୱବ୍ୟାପୀ ସାମ୍ୱାଦିକତା ସଂକଟର ସମ୍ମୁଖୀନ । ମୁଦ୍ରଣ ଯନ୍ତ୍ର ପଞ୍ଚଦଶ ଶତାଦ୍ଦୀ ମଧ୍ୟଭାଗରେ ଉଦ୍ଭାବିତ ହେବା ଦୁଇ ଶହ ବର୍ଷ ପରେ ବିଧିବଦ୍ଧ ମୁଦ୍ରିତ ସମ୍ୱାଦପତ୍ର ପାଶ୍ଚାତ୍ୟ ଭୂଖଣ୍ଡରେ ବିକଶିତ ହୋଇଥିଲା । ଅପରପକ୍ଷେ ଭାରତରେ ସର୍ବସାଧାରଣଙ୍କୁ ୧୯୯୫ରେ ଇଣ୍ଟରନେଟ ସେବା ଉପଲବ୍ଧ ହୋଇଥିବା ଏବଂ ୨୦୦୫ରେ ପ୍ରଥମ ସୋସିଆଲ ମିଡ଼ିଆ ‘ଅର୍କୁଟ’ ପ୍ରଚଳନର ମାତ୍ର ପନ୍ଦର ସତର ବର୍ଷ ମଧ୍ୟରେ ୨୦୨୨ ସୁଦ୍ଧା ସମ୍ୱାଦ ସରବରାହରେ ଡ଼ିଜିଟାଲ ମିଡ଼ିଆ ପ୍ରାଥମିକତା ଦାବୀ କରୁଛି । ପରିବର୍ତ୍ତିତ ପରିବେଶରେ ‘ଗଣମାଧ୍ୟମ’ ମୂଳସ୍ରୋତ ଗଣମାଧ୍ୟମ, ବିକଳ୍ପ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମକୁ ସୂଚ଼ିତ କରୁଛି । ସେହିପରି ‘ସାମ୍ୱାଦିକତା’ ବୃତ୍ତିଧାରୀ, ମୁକ୍ତବୃତ୍ତି ଓ ନାଗରିକ ସାମ୍ୱାଦିକଙ୍କ ସୃଜନକୁ ବୁଝାଉଛି । ଡ଼ିଜିଟାଲ ମଞ୍ଚର ପ୍ରସାରପରେ ସାମ୍ୱାଦିକତା ଭୌଗଳିକ ସୀମାପାର କରିଥିବା ସ୍ଥଳେ ସର୍ବତ୍ର ଗଣମାଧ୍ୟମ ଇତିହାସରେ ପ୍ରଥମଥର ପାଇଁ ଉପଭୋକ୍ତାମାନେ ଦୈନିକଭିତ୍ତିରେ ଦୀର୍ଘ ସମୟଧରି ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଉପସ୍ଥିତ ରହୁଛନ୍ତି । ଏହି ପରିବେଶରେ ‘ସାମ୍ୱାଦିକତା’ ସଂପର୍କରେ ଆଲୋଚ଼ନା କରିବାବେଳେ କେତେଗୋଟି ସମସ୍ୟା ଦୃଷ୍ଟି ଆକର୍ଷଣ କରିଥାଏ ।

 

ଆନ୍ତର୍ଜାତିକସ୍ତରରେ ୨୦୨୨ରେ ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚଗୁଡ଼ିକ ନିମନ୍ତେ ଉପଭୋକ୍ତାଙ୍କ ସମ୍ୱାଦ ବିମୁଖ ମନୋବୃତ୍ତି ‘ନିଉଜ ଆଭଏଡ଼େନ୍ସ’ ମୁଖ୍ୟ ସମସ୍ୟା । ଭାରତ ତଥା ଓଡ଼ଶା ମଧ୍ୟ ସେହି ସମସ୍ୟାରେ ଜର୍ଜରିତ । ମୁଦ୍ରିତ ସମ୍ୱାଦ ମଞ୍ଚ ତୁଳନାରେ ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ଏହି ସମସ୍ୟା ତୀବ୍ର । କୁହାଯାଉଛି ଯେ ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକର ଦୁର୍ବଳ ବ୍ୟାବସାୟିକ ସ୍ଥିତି ଓ ଉଦ୍ଦେଶ୍ୟପ୍ରଣୋଦିତ ମାଲିକାନା ହେତୁ ସମ୍ୱାଦ ପରିବେଷଣ ମାନର ଅବକ୍ଷୟ ଅନ୍ତତଃପକ୍ଷେ ଜଗତୀକରଣ ପରଠାରୁ ତିନି ଦଶନ୍ଧି ଧରି ଲାଗି ରହିଥିଲା ଏବଂ କରୋନା ଭୂତାଣୁଜନିତ ମହାମାରୀ କାଳରେ ବିଭିନ୍ନ କାରଣରୁ ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଥିଲା । ମହାମାରୀ-ପର ଅବସ୍ଥାରେ ପୁନରୁଦ୍ଧାରର ଯେଉଁ ଆଶା ପୋଷଣ କରାଯାଉଥିଲା ତାହା କ୍ରମଶଃ ମଳିନ ହେବାରେ ଲାଗିଛି । ପାରମ୍ପରିକ ସାମ୍ୱାଦିକତାକୁ ନୂଆ ବ୍ୟାବସାୟିକ ମଡ଼େଲ ଅବଲମ୍ୱନର ସମୟ ଉପନୀତ ବୋଲି ବିଚାର କରାଯାଉଛି । ମହାମାରୀକାଳରେ ସମ୍ୱାଦ ପ୍ରସାରଣରେ ସୋସିଆଲ ମିଡ଼ିଆର ବିକାଶରେ ଯେଉଁ ଝଲକ ଦେଖିବାକୁ ମିଳିଥିଲା ତାହା ବ୍ୟାବସାୟିକ କ୍ଷତି କାରଣରୁ ୨୦୨୨ ନଭେମ୍ୱର ପ୍ରଥମାର୍ଦ୍ଧରେ ଟୁଇଟର ଓ ଫେସବୁକର କର୍ମଚାରୀ ଛଟେଇ ଉଦାହରଣ ବିପରୀତ ଚ଼ିତ୍ର ପ୍ରମାଣିତ କରୁଛି ।

 

ଦ୍ୱିତୀୟତଃ, ସମ୍ୱାଦମଞ୍ଚଗୁଡ଼ିକର ବିଶ୍ୱସନୀୟତା ‘ପବ୍ଳିକ ଟ୍ରଷ୍ଟ’ ହ୍ରାସ ବିଶ୍ୱବ୍ୟାପୀ ସାମ୍ୱାଦିକତାକୁ ଭରାକ୍ରାନ୍ତ କରିଛି । ବୃତ୍ତିଧାରୀଙ୍କ ଅନୁପସ୍ଥିତି ଓ ସମ୍ପାଦନା ଅଭାବରୁ ସାମାଜିକ ଗଣମାଧ୍ୟମରେ ଅସତ୍ୟ ସମ୍ୱାଦ ସରବରାହ ଏକ ଅମୀମାଂସିତ ସମସ୍ୟା । କିନ୍ତୁ ପାରମ୍ପରିକ ସମ୍ୱାଦମଞ୍ଚଗୁଡ଼ିକ ଅସତ୍ୟ, ଅତିରଞ୍ଜିତ, ଉଦ୍ଦେଶ୍ୟ-ପ୍ରଣୋଦିତ, ଗୁଜବ ପ୍ରସାରରେ ସାମ୍ୱାଦିକତାର ମୌଳିକ ଧର୍ମକୁ ଅଣଦେଖା କରିବା ଦୁଃଭାଗ୍ୟଜନକ । ଏହାର ଦୀର୍ଘକାଳୀନ ପ୍ରଭାବ ସଂପୃକ୍ତ ସମ୍ୱାଦ ମଞ୍ଚଗୁଡ଼ିକ ବ୍ୟାବସାୟିକ ଧାରାରେ ସନ୍ତୁଳନ ରକ୍ଷା କରିବାରେ ଯେ ପ୍ରତିବନ୍ଧକ ସାଜିବ ଏଥିରେ ସନ୍ଦେହ ନାହିଁ । ସମ୍ୱାଦ ଉତ୍ପାଦର ଗ୍ରାହକ ଯଦି ସମ୍ୱାଦ ବିମୁଖ ଓ ବିଶ୍ୱାସ ହରାଏ, ତେବେ ସମ୍ୱାଦପତ୍ର ଯେ ଦୀର୍ଘକାଳ ତିଷ୍ଠି ପାରି ନାହିଁ ଏହାର ପ୍ରମାଣ ସାମ୍ୱାଦିକତା ଇତିହାସପୃଷ୍ଠାରେ ପ୍ରମାଣିତ ।

 

ତୃତୀୟତଃ, ସମ୍ୱାଦମଞ୍ଚଗୁଡ଼ିକରେ ପରିଦୃଷ୍ଟ ପକ୍ଷପାତିତା ବା ଧ୍ରୁବଣ ‘ପୋଲାରାଇଜେସନ’ ଅନ୍ୟତମ ଗୁରୁତର ସମସ୍ୟା । ଉପଭୋକ୍ତା ସମ୍ୱାଦ ଜାଣିବା ନିମନ୍ତେ ସମ୍ୱାଦ ମଞ୍ଚରେ ପହଞ୍ଚେ । ଯଦି ତାହାକୁ ସମ୍ୱାଦ ବଦଳରେ ବିସମ୍ୱାଦ ଯୋଗାଇଦିଆଯାଏ, ବିବିଧତା ମିଳେନାହିଁ; ତେବେ ନୀରବରେ ସେ ସମ୍ୱାଦ ମଞ୍ଚରୁ ଅପସରିଯିବା ସୁନିଶ୍ଚିତ । ‘ଅକ୍ସଫୋର୍ଡ’ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୨’ରେ କୁହାଯାଇଥିଲା ଯେ ସମ୍ୱାଦମଞ୍ଚଗୁଡ଼ିକରେ ମାତ୍ରାଧିକ ରାଜନୀତିକ ବିଷୟବସ୍ତୁ ପ୍ରକାଶିତ ହେଉଥିବା, ସମ୍ୱାଦର ବିଷୟବସ୍ତୁ ମାନସିକସ୍ତରରେ ନକାରାତ୍ମକ ପ୍ରଭାବ ପକାଉଥିବା, ସମ୍ୱାଦ ସଂସ୍ପର୍ଶରେ ଆସି ଯୁକ୍ତିତର୍କର ସାମ୍ନା ନିମନ୍ତେ ପସନ୍ଦ କରୁନଥିବା ଓ ପ୍ରକାଶିତ ସମ୍ୱାଦଗୁଡ଼ିକ ଉପଭୋକ୍ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ଆସୁନଥିବା ଇତ୍ୟାଦି ଅଭିଯୋଗ ସମ୍ୱାଦ ବିମୁଖ ପରିବେଶ ସୃଷ୍ଟି କରିଥାଏ ।

 

ଜାତୀୟ ପ୍ରେସ ଦିବସରେ ସମକାଳୀନ ମୁଦ୍ରିତ ସମ୍ୱାଦପତ୍ରର ସ୍ଥିତାବସ୍ଥା ସଂପର୍କରେ ବିଚାର କଲେ  ଆମ ଓଡିଶାରେ ମୁଦ୍ରିତ ସମ୍ୱାଦପତ୍ରର ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଲା ସମ୍ୱାଦପତ୍ର କିଏ ଗ୍ରାହକ ଚାନ୍ଦା ଦେଇ କିଣୁଛି  ଓ ପଢୁଛି ତାହା ପ୍ରକାଶକ ଆକଳନ କରିପାରୁ ନାହିଁ । ସମ୍ୱାଦପତ୍ର ସମାଜର ସର୍ବନିମ୍ନସ୍ତରରେ ପହୁଞ୍ଚାଇବା ଉଦ୍ଦେଶ୍ୟ ମହତ୍ତ୍ୱପୂର୍ଣ୍ଣ, କିନ୍ତୁ ସେମାନେ ଯେ ମୁଦ୍ରିତ ସମ୍ୱାଦପତ୍ର ଭିନ୍ନ ଟେଲିଭିଜନ କିମ୍ୱା ସାମାଜିକ ଗଣମାଧ୍ୟମରେ ମସଗୁଲ, ଏହି ତତ୍ତ୍ୱ ଦୁଇଚାରିଗୋଟି ଗ୍ରାମ କିମ୍ୱା ଛୋଟ ସହରରେ ଉପଭୋକ୍ତା ସର୍ବେକ୍ଷଣରୁ ଜାଣିହେବ । ମୁଦ୍ରିତ ସମ୍ୱାଦପତ୍ର ପାଠକ ସଂଖ୍ୟା ୩୦ ପ୍ରତିଶତରୁ କମ ଥିବା ସ୍ଥଳେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୫୦ ଟପିଲାଣି । ଏହି ପରିସଂଖ୍ୟାନ ଅର୍ଥପୂର୍ଣ୍ଣ ।

 

ମୁଦ୍ରିତ ସମ୍ୱାଦ ମଞ୍ଚ ସମ୍ମୁଖୀନ ହୋଇଥିବା ସମସ୍ୟାଗୁଡ଼ିକର ସମାଧାନ ଯେ ସମ୍ଭବ ନୁହ ଏହି ବିଚାର ଭ୍ରମାନ୍ତକ । ମୁଖ୍ୟତଃ ସମ୍ୱାଦ ମଞ୍ଚ ପ୍ରକାଶକମାନଙ୍କ ହୃଦବୋଧ ହେବା ଆବଶ୍ୟକ ଯେ ଗଣମାଧ୍ୟମରେ ଆନ୍ତର୍ଜାତିକ ପ୍ରବାହରୁ ଭାରତ ବା ଓଡ଼ିଶା ବର୍ତ୍ତିଯାଇପାରିବ ନାହିଁ । ତେଣୁ ବିକଶିତ ସମାଜଗୁଡ଼ିକରେ ଗଣମାଧ୍ୟମରେ ଯେଉଁ ସମସ୍ୟାଗୁଡ଼ିକ ଉପୁଜିଛି ଓ କେଉଁ ଉପାୟରେ ତାହାର ସମାଧାନ ନିମନ୍ତେ ଉଦ୍ୟମ ହେଉଛି ତାହା ମାଧ୍ୟମତେ ସ୍ଥାନୀୟ ପରିବେଶ ଅନୂକୁଳ ଢଙ୍ଗରେ ଉପଯୋଗ କରିବା ଦ୍ୱାରା ଦୁର୍ଦ୍ଦଶାକୁ କେତେକାଂଶରେ ଏଡ଼ାଇଦେବା ସଂଭବପର । ଏହି ଉପଲବ୍ଧି ସମ୍ୱାଦ ମଞ୍ଚ ପ୍ରକାଶକଙ୍କ ନିମନ୍ତେ ଯେତିକି ମାତ୍ରାରେ ହିତକର କାର୍ଯ୍ୟରତ ସାମ୍ୱାଦିକଙ୍କ ନିମନ୍ତେ ତାହାଠାରୁ ଅଧିକ ଉପଯୋଗୀ । ସଂକ୍ଷେପରେ କହିବାକୁ ଗଲେ ଗୁଣାତ୍ମକ ସାମ୍ୱାଦିକତାର ପ୍ରସାର ହିଁ ପାରମ୍ପରିକ ହେଉ ବା ଡ଼ିଜିଟାଲ, ଯେକୌଣସି ମଞ୍ଚରେ ସାମ୍ୱାଦିକତାର ପ୍ରଭାବକୁ ଯେ ଅକ୍ଷୁର୍ଣ୍ଣ ରଖିବ, ଏଥିରେ ସନ୍ଦେହ ନାହିଁ ।                      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୧ ନଭେମ୍ୱର ୨୦୨୨

ନୋବଲ ବିଜୟୀ ସାମ୍ୱାଦିକତା

ନୋବଲ ଶାନ୍ତି ପୁରସ୍କାର ୨୦୨୧ ବର୍ଷ ନିମନ୍ତେ ଜଣେ ଋଷ ପୁରୁଷ ଓ ଜଣେ ଫିଲିପାଇନ୍ସ ମହିଳା ସାମ୍ୱାଦିକଙ୍କୁ ଯୁଗ୍ମବିଜେତା ମନୋନୟନ କରାଯାଇଥିଲା । ସାଧାରଣ ବିଚାରରେ ପୂର୍ବବର୍ଷ ୨୦୨୦ରେ ବିଶ୍ୱବ୍ୟାପୀ ମହାମାରୀ ପ୍ରତିରୋଧ, ଦୁଇ କ୍ଷମତାଶାଳୀ ରାଷ୍ଟ୍ରରେ ଗଣତାନ୍ତ୍ରିକ ନିର୍ବାଚନରେ ରାଜନୀତିକ ପଟ୍ଟପରିବର୍ତ୍ତନ ଓ ଜଳବାୟୁ ପରିବର୍ତ୍ତନଜନିତ ପ୍ରାକୃତିକ ଦୁର୍ବିପାକ ସର୍ବାପେକ୍ଷା ଗୁରୁତ୍ୱବହନ କରୁଥିବାସ୍ଥଳେ ସାମ୍ୱାଦିକତାର ଭୂମିକାକୁ ସ୍ୱୀକୃତି ଆନ୍ତର୍ଜାତିକ ପ୍ରେକ୍ଷାପଟ୍ଟରେ ଏହାର ଗୁରୁତ୍ୱ ପ୍ରତିପାଦିତ କରିଥାଏ ।


 

ନୋବଲ ପୁରସ୍କାର ଉଦ୍ୟୋକ୍ତା ବିଜେତା ଘୋଷଣା ଅବସରରେ ଉଲ୍ଲେଖ କରିଥିଲେ ଯେ ମୁକ୍ତ, ସ୍ୱାଧୀନ ଓ ତଥ୍ୟଭିତ୍ତିକ ସାମ୍ୱାଦିକତା କ୍ଷମତାର ଦୁରୋପଯୋଗ, ଅସତ୍ୟ ଓ ଯୁଦ୍ଧଭିତ୍ତିକ ଗୁଜବ ପ୍ରସାରରୁ ସୁରକ୍ଷା ଦେଇଥାଏ । ଅଭିବ୍ୟକ୍ତିରେ ସ୍ୱାଧୀନତା ଓ ମୁକ୍ତ ଗଣମାଧ୍ୟମ ପରିବେଶ ବ୍ୟତିରେକେ ଆନ୍ତର୍ଜାତିକ ସହବସ୍ଥାନ, ନିରସ୍ତ୍ରୀକରଣ ଓ ବିକାଶଜନିତ ଲକ୍ଷ୍ୟ ହାସଲ ସମସ୍ୟାବହୁଳ ହୋଇପଡ଼େ ।


 

ନରୱେର ‘ନରୱିଜିଆନ ନୋବଲ କମିଟି’ ଦ୍ୱାରା ପ୍ରତିବର୍ଷ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମନୋବିଜ୍ଞାନ କିମ୍ୱା ଭେଷଜ ବିଜ୍ଞାନ, ସାହିତ୍ୟ ଓ ଶାନ୍ତି କ୍ଷେତ୍ରରେ ଆନ୍ତର୍ଜାତିକସ୍ତରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପାଞ୍ଚଗୋଟି ପୁରସ୍କାର ପ୍ରଦାନ କରାଯାଇଥାଏ । ନୋବଲ ଶାନ୍ତି ପୁରସ୍କାର ପ୍ରଥମଥର ୧୯୦୧ରେ ପ୍ରଦାନ କରାଯାଇଥିବା ସ୍ଥଳେ ୨୦୨୦ ସୁଦ୍ଧା ୧୦୮ ବ୍ୟକ୍ତି ଓ ୨୪ ଗୋଟି ସଂଗଠନ ପୁରସ୍କୃତ ହୋଇଥିଲେ । ଏଥିସହ ‘ରୟଲ ସୁଇଡ଼ିସ ଏକାଡ଼େମୀ ଅଫ ସାଇନ୍ସେସ’ ପକ୍ଷରୁ ୧୯୬୯ରୁ ଅର୍ଥନୀତିରେ ମଧ୍ୟ ନୋବଲ ସ୍ମାରକୀ ପୁରସ୍କାର ପ୍ରଚଳିତ ହୋଇଛି ।


 

ନୋବଲ ଶାନ୍ତି ପୁରସ୍କାର ଜଣେ ସାମ୍ୱାଦିକଙ୍କୁ ପ୍ରଥମଥର ୧୯୩୫ରେ ଜର୍ମାନର କାର୍ଲ ଭନ ଓସିଇଟିସ୍କିଙ୍କୁ ପ୍ରଦାନ କରାଯାଇଥିଲା । ଜର୍ମାନର ତତ୍ କାଳୀନ ଶାସକଙ୍କ ସାମରିକ ତଥ୍ୟ ପ୍ରଘଟ କରି କାରାବାସରେ ଜୀବନ ବିତାଉଥିବା ଅବସରରେ ତାଙ୍କୁ ନୋବଲ ପୁରସ୍କାର ମିଳିଥିଲା । ପୁରସ୍କାର ଗ୍ରହଣ କରିବା ନିମନ୍ତେ କାର୍ଲଙ୍କୁ ନରୱେ ଯାତ୍ରା କରିବାକୁ ସେଠାକାର ଶାସକମାନେ ବାରଣ କରିଥିଲେ । ପ୍ରତିକୂଳ ପରିବେଶରେ ସେ ଯକ୍ଷ୍ମାରୋଗାକ୍ରାନ୍ତ ହୋଇ ପୁରସ୍କାର ପ୍ରାପ୍ତିର ତିନିବର୍ଷ ମଧ୍ୟରେ ପ୍ରାଣ ହରାଇଥିଲେ ।


 

ନୋବଲ ଶାନ୍ତି ପୁରସ୍କାର ୨୦୨୧ରେ ଯୁଗ୍ମବିଜେତା ଋଷ ସାମ୍ୱାଦିକ ଦିମିତ୍ରୀ ମୁରାଟୋଭ ଓ ଫିଲିପାଇନ୍ସ ମହିଳା ସାମ୍ୱାଦିକ ମାରିଆ ରେସା ପ୍ରଥମ ପୁରସ୍କାର ପ୍ରଦାନର ୭୫ ବର୍ଷପରେ ମଧ୍ୟ ଅନୁରୂପ ପ୍ରତିକୂଳ ପରିବେଶରେ ବୃତ୍ତିଗତ ଜୀବନଯାପନ କରିଥାନ୍ତି । ଫରାସୀ ଗଣମାଧ୍ୟମ ସମୀକ୍ଷା ସଂସ୍ଥା ‘ରିପୋର୍ଟରର୍ସ ଉଇଥଆଉଟ ବୋଡ଼ର୍ସ’ର ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ସୁଚକାଙ୍କରେ ୨୦୨୧ ସୁଦ୍ଧା ୧୮୦ ରାଷ୍ଟ୍ର ମଧ୍ୟରେ ଋଷର ସ୍ଥାନ ୧୫୦ ଏବଂ ଫିଲିପାଇନସର ସ୍ଥାନ ୧୩୮ ନିର୍ଣ୍ଣିତ ହୋଇଥାଏ । ଉଲ୍ଲେଖଯୋଗ୍ୟ ଏହି ମାନାଙ୍କରେ ଭାରତର ସ୍ଥାନ ୧୪୨ ।


 

ମୁରାଟୋଭ ‘ନୋଭେଜା ଗେଜେଟା’ ନାମକ ଏକ ସମ୍ୱାଦ ସଂସ୍ଥାର ସମ୍ପାଦକ । ଏହାର ମୁଦ୍ରିତ ଓ ଡିଜିଟାଲ ଉଭୟ ସଂସ୍କରଣ ପ୍ରକାଶ ପାଏ । ୧୯୯୩ରେ ଆରମ୍ଭ ହୋଇଥିବା ଏହି ସଂବାଦ ସଂସ୍ଥାର ୨୮ ବର୍ଷର ଇତିହାସରେ ଛଅଜଣ ସାମ୍ୱାଦିକ ଗୁଳିମାଡ଼ ଓ ବିଷ ପ୍ରୟୋଗରେ ପ୍ରାଣ ହରାଇଛନ୍ତି । ଋଷର ସମସ୍ତ ଗଣମାଧ୍ୟମ ସଂସ୍ଥା ମଧ୍ୟରେ ‘ନୋଭେଜା ଗେଜେଟା’ ସର୍ବାଧିକ ବୃତ୍ତିଧାରୀ ସାମ୍ୱାଦିକଙ୍କୁ ହରାଇଥିବା ଦୁର୍ଭାଗ୍ୟର ଶୀକାର । ସମ୍ୱାଦପତ୍ର ପ୍ରକାଶନକାଳରୁ ଅଳ୍ପ ସମୟ ବାଦ ଦେଇ ପ୍ରାୟତଃ ମୁଖ୍ୟ ସମ୍ପାଦକ ଦାୟିତ୍ୱ ତୁଲାଇ ଆସିଥିବା ମୁରାଟୋଭ ସାମ୍ୱାଦିକଙ୍କ କ୍ରମାଗତ ହତ୍ୟାରେ ମିୟମ୍ରାଣ ହୋଇ ସଂବାଦ ସଂସ୍ଥାଟିକୁ ବନ୍ଦ କରିଦେବା ନିମନ୍ତେ ମନସ୍ଥ କରିଥିଲେ । କିନ୍ତୁ କାର୍ଯ୍ୟରତ ସାମ୍ୱାଦିକମାନେ ତାଙ୍କୁ ଏଥିରୁ ନିବୃତ୍ତ କରାଇଥିଲେ ।


 

ସେହିପରି ମାରିଆ ରେସାଙ୍କ ସାମ୍ୱାଦିକତାରେ କ୍ଷୁବ୍ଧ ହୋଇ ସେଠାକାର ପ୍ରଶାସନ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ମକଦ୍ଦମା ଦାୟର କରିଛନ୍ତି । ସେ ୨୦୧୨ରୁ ‘ରାପଲର’ ନାମକ ଏକ ଡିଜିଟାଲ ମିଡ଼ିଆ ସମ୍ୱାଦ ସଂସ୍ଥା ସମ୍ପାଦକ ଦାୟିତ୍ୱ ତୁଲାଉଛନ୍ତି । ଫିଲିପାଇନ୍ସରେ ନିଶା ତସ୍କର ନିୟନ୍ତ୍ରଣ ଆଳରେ ପୋଲିସ ଓ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପର୍ଦ୍ଦାଫାଶ କରି ସେ ସରକାରଙ୍କ ରୋଷର ଶୀକାର ହୋଇଆସୁଛନ୍ତି ।


 

ମୁରାତୋଭଙ୍କ ବୟସ ୫୯ ଓ ରେସାଙ୍କ ବୟସ ୫୮ । ରେସା ଅବିବାହିତା । ମୁରାତୋଭ ‘କୋମସୋମେଲାସ୍କ ପ୍ରଭେଦା’ ନାମକ ସମ୍ୱାଦପତ୍ରରେ ଦୀର୍ଘକାଳ ସାମ୍ୱାଦିକଭାବେ ନିଯୁକ୍ତ ଥିଲେ । ମସ୍କୋରୁ ପ୍ରକାଶିତ ଏହି ସମ୍ୱାଦପତ୍ରଟି ମୁଖ୍ୟତଃ ଯୁବବର୍ଗର ପାଠକମାନଙ୍କ ନିମନ୍ତେ ପ୍ରଯୋଜିତ ଏବଂ ଅନ୍ୟତମ ବହୁଳ ପ୍ରସାରିତ ସମ୍ୱାଦପତ୍ରର ମାନ୍ୟତା ଲାଭ କରିଥାଏ । ମୁରାତୋଭ କାର୍ଯ୍ୟରତ ୪୫ ଜଣ ସହକର୍ମ୍ମୀଙ୍କ ଗହଣରେ ‘ପ୍ରଭେଦା’ରୁ ଇସ୍ତଫା ଦେଇ ‘ନୋଭୋଜା ଗେଜେଟ’ ସମ୍ୱାଦ ସଂସ୍ଥା ଆରମ୍ଭ କରିଥିଲେ । ରେସା ମାର୍କିନ ସମ୍ୱାଦ ସଂସ୍ଥା ସିଏନଏନର ଦକ୍ଷିଣ-ଏସିଆର ସାମ୍ୱାଦିକ ଭାବେ ୧୭ ବର୍ଷ ଓ ଏବିଏସ-ସିବିଏନରେ ଛଅ ବର୍ଷ କାର୍ଯ୍ୟ କରିବାପରେ ତିନିଜଣ ମହିଳା ସାମ୍ୱାଦିକଙ୍କ ସହଯୋଗରେ ‘ରିପଲର’ ଡିଜିଟାଲ ସମ୍ୱାଦ ମଞ୍ଚ ଆରମ୍ଭ କରିଥିଲେ ।


 

ଉଭୟ ‘ନୋଭୋଜା ଗେଜେଟ’ ଓ ‘ରିପଲାର’ ସ୍ୱାଧୀନ ସମ୍ୱାଦ ସଂସ୍ଥା । ଅର୍ଥାତ, କୌଣସି ରାଜନୀତିକ କିମ୍ୱା ବ୍ୟାବସାୟିକ ଗୋଷ୍ଠୀ ସହ ସଂଶ୍ଳିଷ୍ଟ ନୁହଁ । ‘ନୋଭୋଜା ଗେଜେଟ’ ସରକାରୀ କିମ୍ୱା ବେସରକାରୀ ଅନୁଦାନ ଗ୍ରହଣ କରେ ନାହିଁ । ଜଣେ ପୂର୍ବତନ କେଜିବି କର୍ମଚାରୀ ଓ ଟେଲିକମ ଉଦ୍ୟୋଗୀ ‘ଗେଜେଟା’ରେ ଅର୍ଥ ନିବେଶ କରିଛନ୍ତି । ଏକ ଲକ୍ଷ ପାଠକଙ୍କ ଗ୍ରାହକ ଚାନ୍ଦା ଓ ଦାନରେ ହିଁ ଏହି ସମ୍ୱାଦ ସଂସ୍ଥା ପରିଚାଳିତ ହୋଇଥାଏ ।


 

ଏହି ଦୁଇ ସମ୍ୱାଦ ସଂସ୍ଥା ଅନୁସନ୍ଧାନମୂଳକ ସାମ୍ୱାଦିକତା ନିମନ୍ତେ ପ୍ରସିଦ୍ଧ । ଋଷ ଓ ଫିଲିପାଇନ୍ସରେ ଅନୁସନ୍ଧାନଧର୍ମୀ ସାମ୍ୱାଦିକମାନଙ୍କୁ ହତ୍ୟାର ଧାରାବିବରଣୀ ଚର୍ଚ୍ଚିତ । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ଦଶବର୍ଷ ମଧ୍ୟରେ ଋଷରୁ ୨୩ ଜଣ ଓ ଫିଲିପାଇନ୍ସର ୧୭ ଜଣ ସମ୍ୱାଦ କର୍ମ୍ମୀଙ୍କୁ ହତ୍ୟା ହିସାବ କରାଯାଏ । ନୋବାଲ ଶାନ୍ତି ପୁରସ୍କାର ବିଜୟୀ ଦୁଇ ସାମ୍ୱାଦିକ ତଥ୍ୟ ଉଦଘାଟନକୁ ଗୁରୁତ୍ୱ ଦେଇ ଆସିଛନ୍ତି ।


 

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ଗୁଣାତ୍ମକ ସାମ୍ୱାଦିକତାର ଉପାଦାନ ଚ଼ିହ୍ନଟ ପ୍ରକ୍ରିୟାରେ ଦୁଇଜଣ ସାମ୍ୱାଦିକଙ୍କୁ ନୋବଲ ଶାନ୍ତି ପୁରସ୍କାର ପ୍ରଦାନ କେତେକ ଦିଗପ୍ରତି ଗୁରୁତ୍ୱାରୋପ କରିଥାଏ । ପ୍ରଥମତଃ, ସାମାଜିକ ସହବସ୍ଥାନ, ମାନବିକ ଅଧିକାର ସୁରକ୍ଷା ଓ ଅର୍ଥନୀତିକ ପ୍ରଗତି ପାଇଁ ସାମ୍ୱାଦିକତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସ୍ୱୀକୃତ । ଦ୍ୱିତୀୟତଃ, ସ୍ୱାଧୀନଭାବେ ପରିଚାଳିତ ଓ ସାମ୍ୱାଦିକଙ୍କ ଦ୍ୱାରା ସଂଗଠିତ ସମ୍ୱାଦ ସଂସ୍ଥା ସାମ୍ୱାଦିକତାର ସାମାଜିକ ଦାୟିତ୍ୱବୋଧ ନିର୍ବାହରେ ଅଗ୍ରଣୀ । ତୃତୀୟତଃ, ବିପୁଳ ନିବେଶ ବଦଳରେ ସମ୍ୱାଦ ଉପଭୋକ୍ତାଙ୍କ ଆର୍ଥିକ ସହଯୋଗରେ ସମ୍ୱାଦ ମଞ୍ଚ ଗଠନ ଓ ପରିଚାଳନା ସଂଭବ । ଚ଼ତୁର୍ଥତଃ, ବୈଷୟିକ ପ୍ରଗତିର ଦୁରୋପଯୋଗରେ ମିଥ୍ୟା, ଗୁଜବ, ଅତିରଞ୍ଜିତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ସମ୍ୱାଦ ପ୍ରସାରକୁ ରୋକିବା ଦିଗରେ ତଥ୍ୟଭିତ୍ତିକ ସାମ୍ୱାଦିକତା ସଫଳ ହୋଇଥାଏ । ପଞ୍ଚମତଃ, ମୁକ୍ତ ସାମ୍ୱାଦିକତାର କଣ୍ଠରୋଧ ସକାଶେ ସରକାରୀ ଓ ବେ-ସରକାରୀସ୍ତରରେ ସକଳ ଉଦ୍ୟମ ସତ୍ତ୍ୱେ ସାମ୍ୱାଦିକତା ସତ୍ୟ ପ୍ରଘଟନରେ ଦାୟିତ୍ୱ ଅବଶ୍ୟ ନିର୍ବାହ କରିପାରେ ।


 

ନୋବଲ ଶାନ୍ତି ପୁରସ୍କାର ୨୦୨୧ ବିଜେତା ଘଟଣାକ୍ରମରେ ସର୍ବୋତ୍ତମ ଉପଲବ୍ଧି ଏହି ଯେ ରାଜନୀତିକ, ପ୍ରଶାସନିକ ଓ ସାମାଜିକ ଅସ୍ଥିରତା ଗୁଣାତ୍ମକ ସାମ୍ୱାଦିକତା ପରିପ୍ରକାଶକୁ ଆକଟ କରିପାରେ ନାହିଁ । ଅସତ୍ୟ ପ୍ରସାରରେ ପାରମ୍ପରିକ ଓ ଡିଜିଟାଲ ମଞ୍ଚ ଭରାକ୍ରାନ୍ତ ହୋଇ ପଡୁଥିବାସ୍ଥଳେ ସମ୍ୱାଦ ଉପଭୋକ୍ତା ଦେୟ, ଦାନ ଓ ନିବେଶ ପ୍ରଦାନ କରି ସ୍ୱଚ୍ଛ ସମ୍ୱାଦ ମଞ୍ଚରେ ପହଞ୍ଚୁଥିବା ଦେଶ ବିଦେଶର ଉଦାହରଣ ବିଭିନ୍ନ ପ୍ରାନ୍ତରେ ଗୁଣାତ୍ମକ ସମ୍ୱାଦିକତା ବିକାଶକୁ ଯେ ଉତ୍ସାହିତ କରିବ ସେଥିରେ ସନ୍ଦେହ ନାହିଁ ।                    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଅକ୍ଟୋବର ୨୦୨


ତଥ୍ୟ:


 

Adomaitis, Nerijus & Victoria Klesty. Peace Nobel for journos who took on Putin, Duterte. Business Standard (Bhubaneswar Edition). October 9, 2021.


 

Prize for ‘free, independent and fact-based journalism’. The Hindu (Cuttack Edition). October 9, 2021.


 

Gessen, Masha. The noble peace prize acknowledges a dangerous era for journalists ? Newyorker. October 8, 2021


 

https://www.newyorker.com/news/our-columnists/the-nobel-peace-prize-acknowledges-a-dangerious-era-for-journlists?

ସାମ୍ୱାଦିକଙ୍କ ନୋବଲ ପୁରସ୍କାର ଅଭିଭାଷଣ

ନୋବଲ ଶାନ୍ତି ପୁରସ୍କାର ୨୦୨୧ ବିଜୟୀ ଦୁଇ ସାମ୍ୱାଦିକ ଋଷର ଦିମିତ୍ରୀ ମୁରାତୋଭ ଓ ଫିଲିପାଇନ୍ସର ମାରିଆ ରେସା ଆନୁଷ୍ଠାନିକଭାବେ ନରୱେର ଓସଲୋ ସିଟିହଲରେ ୧୦ ଡ଼ିସେମ୍ୱର ୨୦୨୧ରେ ପୁରସ୍କାର ଗ୍ରହଣ କରିଥିଲେ । ସାଧାରଣରେ ନୋବଲ ପୁରସ୍କାର ଗ୍ରହଣ ଅବସରରେ ବିଜୟୀମାନେ ପୁରସ୍କାର ଗ୍ରହଣ ଅଭିଭାଷଣ ‘ଏକ୍ସସେପ୍ଟଣ୍ଟେସ ସ୍ପିଚ’ ପ୍ରଦାନ କରିଥାନ୍ତି । ଏହାକୁ ନୋବଲ ପୁରସ୍କାର ଅଭିଭାଷଣ ‘ନୋବଲ ପ୍ରାଇଜ ଲେକଚ଼ର’ କୁହାଯାଏ । ଏହି ଅଭିଭାଷଣଗୁଡ଼ିକ ସଂପୃକ୍ତ ବିଷୟରେ ସମକାଳୀନ ସାମାଜିକ ବ୍ୟବସ୍ଥାର ପ୍ରତିଫଳନ ବୋଲି ବିଚାର କରାଯାଏ ।


 

ବିଶ୍ୱବ୍ୟାପୀ ସାମ୍ୱାଦିକତା ବ୍ୟାପକ ପରିବର୍ତ୍ତନର ମୋଡ଼ରେ ପହଞ୍ଚିଥିବା ସମୟରେ ଋଷ ଓ ଫିଲିପାଇନ୍ସର ଦୁଇ ସାମ୍ୱାଦିକ ନୋବଲ ଶାନ୍ତି ପୁରସ୍କାର ପାଇଛନ୍ତି । ସ୍ୱାଭାବିକ ଭାବେ ସେମାନଙ୍କ ପୁରସ୍କାର ଅଭିଭାଷଣରେ ସାଂପ୍ରତିକ ପ୍ରେକ୍ଷାପଟ୍ଟରେ ସାମ୍ୱାଦିକତାର ଭୂମିକା ବର୍ଣ୍ଣିତ । ଏହି ଦୁଇ ଅଭିଭାଷଣ ଅନୁଶୀଳନରେ ଗଣମାଧ୍ୟମ-କେନ୍ଦ୍ରୀକ ସାମାଜିକ ବ୍ୟବସ୍ଥାରେ ନିକଟ ଅତୀତ ଓ ସମ୍ଭାବ୍ୟ ଭବିଷ୍ୟତର ଚ଼ିତ୍ର ସଂପର୍କରେ ସ୍ପଷ୍ଟ ସୂଚନା ମିଳିଥାଏ ।


 

ଦିମିତ୍ରୀ ମୁରାତୋଭ ନିଜ ଅଭିଭାଷଣରେ ମୁଖ୍ୟତଃ ବିଶ୍ୱବ୍ୟାପୀ ରାଜନୈତିକସ୍ତରରେ ଏକଛତ୍ରବାଦ ମୁଣ୍ଡ ଟେକୁଥିବା ହେତୁ ଉଦବେଗ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଏଣିକି ରାଷ୍ଟ୍ରୀୟ ବିକାଶ ନିମନ୍ତେ ସ୍ୱାଧୀନତା ଓ ମାନବାଧିକାର ବଦଳରେ ବୈଷୟିକ ପ୍ରଗତି ଓ ହିଂସାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଯୁଦ୍ଧଖୋର ମନୋଭାବର ବ୍ୟାପକ ପ୍ରଚାର ଫଳରେ ଜନସାଧାରଣ କ୍ରମଶଃ ଯୁଦ୍ଧକୁ ଏକ ସ୍ୱାଭାବିକ ପ୍ରକ୍ରିୟାଭାବେ ଗ୍ରହଣ କରିନେବାକୁ ବସିଲେଣି । ଏତାଦୃଶ ମତବାଦର ପ୍ରଚାର ଓ ପ୍ରସାରରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏହି ଅବକ୍ଷୟମୁଖୀ ସାମାଜିକ ବ୍ୟବସ୍ଥା ସଜାଡ଼ିବାରେ ସାମ୍ୱାଦିକତାର ଭୂମିକା ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।


 

ସତ୍ୟ ଓ ଅସତ୍ୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ସମକାଳୀନ ସାମ୍ୱାଦିକତାର ମୂଳ ଲକ୍ଷ୍ୟ ‘ମିସନ’ ହେବା ଉଚ଼ିତ । ଆଧୁନିକ ତଥ୍ୟଭିତ୍ତିକ ସାମ୍ୱାଦିକତା ‘ଡ଼ାଟା ଜର୍ଣ୍ଣାଲିଜମ’ ପ୍ରଚଳନରେ ଉଦୀୟମାନ ସାମ୍ୱାଦିକମାନେ ସତ୍ୟ ଉଦଘାଟନ ନିମନ୍ତେ ପରିସଂଖ୍ୟାନର ସାହାଯ୍ୟ ଗ୍ରହଣ କରୁଛନ୍ତି । ଉଦାହରଣରେ ବେଲାଋଷରେ ଶାରଣାର୍ଥୀ ସମସ୍ୟାର ସତ୍ୟାସତ୍ୟ ପ୍ରତିପାଦନ ନିମନ୍ତେ କିଛି ସାମ୍ୱାଦିକ ସ୍ୱାଭାବିକ ସମୟରେ କେତେ ଗୋଟି ବିମାନ ଉଡ଼ାଣରେ ମଧ୍ୟ ପ୍ରାଚ଼୍ୟରୁ କେତେ ସଂଖ୍ୟକ ଯାତ୍ରୀ ବେଲାଋଷକୁ ଆସୁଥିଲେ ଏବଂ ସଂଘର୍ଷପୂର୍ଣ୍ଣ ସମୟସୀମାରେ ବିମାନ ଉଡ଼ାଣ ଓ ଯାତ୍ରୀ ସଂଖ୍ୟାର ତୁଳନାତ୍ମକ ବିବରଣୀ ପ୍ରଦାନ କରୁଥିବା ଦର୍ଶାଇଥିଲେ । ଏହି ଭଳି କ୍ଷେତ୍ରରେ ପରିସଂଖ୍ୟାନ ହିଁ ସତ୍ୟତା ପରିପ୍ରକାଶ କରିଥାଏ ।


 

ରାଷ୍ଟ୍ରୀୟ ସ୍ୱାଭିମାନରେ ଉଦବୁଦ୍ଧ କରି ନାଗରିକମାନଙ୍କୁ ଦେଶ ପାଇଁ ପ୍ରାଣବଳୀ ଦେବା ନିମନ୍ତେ ଉତ୍ସାହିତ କରାଯାଉଛି । କିନ୍ତୁ ରାଷ୍ଟ୍ର ପାଇଁ ବଞ୍ଚିବାଲାଗି ପ୍ରୋତ୍ସାହନ କ୍ରମଶଃ ଉଭେଇ ଯିବାକୁ ବସିଲାଣି । ଦିମିତ୍ରୀ ମୁରାତୋଭ ଅନୁସନ୍ଧାନମୂଳକ ସାମ୍ୱାଦିକତା ସତ୍ୟ ଉଦଘାଟନ କରୁଥିବା ଦର୍ଶାଇଥିଲେ । ବୃତ୍ତିଧାରୀ ସାମ୍ୱାଦିକମାନଙ୍କୁ ପ୍ରଭାବିତ କରିବା ତଥା ଚ଼ପାଇ ଦେବା ଉଦ୍ୟମର ଘୋର ନିନ୍ଦା କରିଥିଲେ । ସାମ୍ୱାଦିକମାନେ ହିଂସାର ଶିକାର ହୋଇ ଅକାଳରେ ମୃତ୍ୟୁମୁଖରେ ନପଡ଼ି ପ୍ରାକୃତିକଭାବେ ବୃଦ୍ଧାବସ୍ଥା ଯାଏଁ ଜୀବିତ ରହିବା ନିମନ୍ତେ ପରିବେଶ ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।


 

ମାରିଆ ରେସା ନିଜ ଅଭିଭାଷଣରେ ସମକାଳୀନ ବିଶ୍ୱ ସମ୍ୱାଦ ସରବରାହରେ ହାତଗଣତି ସୋସିଆଲ ମିଡ଼ିଆ ବୈଷୟିକ ପ୍ରତିଷ୍ଠାନର ଆଧିପତ୍ୟକୁ ସମାଲୋଚ଼ନା କରିଥିଲେ । ଏହି ମଞ୍ଚଗୁଡ଼ିକ ଅସତ୍ୟ, କ୍ରୋଧ ଓ ଘୃଣା ପ୍ରସାରରେ ସହାୟକ ହେଉଥିବା ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ ତଥ୍ୟ ସତ୍ୟ ଉନ୍ମୋଚ଼ିତ କରେ ଏବଂ ସତ୍ୟ ବିଶ୍ୱାସ ଜନ୍ମାଇଥାଏ । ବିଶ୍ୱାସ ବ୍ୟତିରେକେ ଗଣତନ୍ତ୍ର ଅସଂଭବ । ସାମ୍ୱାଦିକତା ତଥ୍ୟ, ସତ୍ୟ ଓ ବିଶ୍ୱାସ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିଥାଏ । ସାଂପ୍ରତିକ ପରିପ୍ରେକ୍ଷୀରେ ସ୍ୱାଧୀନ ସାମ୍ୱାଦିକତାକୁ ପ୍ରୋତ୍ସାହିତ କରିବା ସମୟର ଆହ୍ୱାନ ।


 

ସେ ଦର୍ଶାଇଥିଲେ ଯେ ସୋସିଆଲ ମିଡ଼ିଆର ବ୍ୟାପକ ପ୍ରସାର ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହରେ ବ୍ୟବହୃତ ହେଉଛି । ଏହି ତଥ୍ୟାବଳୀ ବ୍ୟାବସାୟିକ ଓ ରାଜନୀତିକ ସ୍ୱାର୍ଥ ସିଦ୍ଧିରେ ଉପଯୋଗ କରାଯାଉଛି । ସମୟକ୍ରମେ ଏହି ତଥ୍ୟଭିତ୍ତିକ ପୁଞ୍ଜିବାଦ ‘ସରଭିଲାନ୍ସ କ୍ୟାପିଟାଲିଜମ’ ପାରମ୍ପରିକ ବ୍ୟବସାୟ ଓ ରାଜନୀତିକ ଢ଼ାଞ୍ଚାର ମୂଳୋତ୍ପାଟନ କରିବା ସନ୍ଦେହ ଅସମୀଚୀନ ନୁହେଁ ।


 

ଉଭୟ ଦାମିତ୍ରୀ ଓ ମାରିଆ ନିଜ ଅଭିଭାଷଣରେ ବ୍ୟକ୍ତି ସ୍ୱାଧୀନତା ନିମନ୍ତେ ସ୍ୱର ଉତ୍ତୋଳନ କରିଥିବା ଦୁଇ ନୋବଲ ବିଜୟୀଙ୍କୁ ସ୍ମରଣ କରିଥିଲେ । ଦାମିତ୍ରୀ ୧୯୭୫ରେ ନୋବଲ ଶାନ୍ତି ପୁରସ୍କାରପ୍ରାପ୍ତ ପରମାଣୁ ବିଜ୍ଞାନୀ ଆଣ୍ଡ୍ରେଇ ସାକାରୋଭ ଏବଂ ମାରିଆ ୧୯୩୬ରେ ନୋବଲ ଶାନ୍ତି ପୁରସ୍କାର ପ୍ରାପ୍ତ ଜର୍ମାନ ସାମ୍ୱାଦିକ କାର୍ଲ ଭନ ଓସିଇଟିସ୍କିଙ୍କ ଅବଦାନ ଉଲ୍ଲେଖ କରିଥିଲେ । ଏହି ଦୁଇ ନୋବଲ ଶାନ୍ତି ପୁରସ୍କାର ବିଜୟୀ ପୁରସ୍କାର ଗ୍ରହଣ ନିମନ୍ତେ ଓସଲୋ ଯାତ୍ରା କରିବାକୁ ତତ୍କାଳୀନ ଋଷ ଓ ଜର୍ମାନ ପ୍ରଶାସନ ଅନୁମତି ଦେଇ ନଥିଲେ । ମାରିଆ କହିଥିଲେ ଯେ ବର୍ତ୍ତମାନ ଅନ୍ତତଃପକ୍ଷେ ସେମାନଙ୍କୁ ପୁରସ୍କାର ଗ୍ରହଣ ନିମନ୍ତେ ବିଦେଶ ଯାତ୍ରାକୁ ଯେ ଅନୁମତି ଦିଆଯାଇପାରୁଛି, ଏହା ନିଶ୍ଚିତଭାବେ ବ୍ୟକ୍ତି ସ୍ୱାଧୀନତା ଓ ମାନବାଧିକାରର ଉଜ୍ଜଳ ଭବିଷ୍ୟତର ସୂଚନା ଦିଏ ।


 

ଫିଲିପାଇନ୍ସରେ ସାମ୍ୱାଦିକତା ଅଭିଜ୍ଞତା ବର୍ଣ୍ଣନା କରି ମାରିଆ କହିଥିଲେ ଯେ ବିଗତ ଦୁଇ ବର୍ଷରୁ କମ ସମୟ ମଧ୍ୟରେ ତାଙ୍କରି ବିରୋଧରେ ସରକାରଙ୍କ ପକ୍ଷରୁ ମକଦ୍ଦମାମାନ ରୁଜୁ ହୋଇ ଦଶ ଗୋଟି ଗିରଫ ପରୱାନା ଜାରି କରାଯାଇଛି । ଏଗୁଡ଼ିକ ଦଣ୍ଡରେ ରୂପାନ୍ତରିତ ହେଲେ ସେ ଶହେ ବର୍ଷ ଜେଲ ଭୋଗିବେ । ମାରିଆ ପୁରସ୍କାର ଗ୍ରହଣ ନିମନ୍ତେ ଓସଲୋ ଆସିପାରିବେ କି ନାହିଁ ସେ ସଂପର୍କରେ ଶେଷ ଯାଏଁ ନିଶ୍ଚିତ ନଥିଲେ । ବନ୍ଦୀଶାଳାରେ ବାକୀତକ ଜୀବନ କଟାଇବା ବିପଦ ସଂପର୍କରେ ସେ ସଦାସର୍ବଦା ସନ୍ଦୀହାନ ଅବସ୍ଥାରେ କାଳାତିପାତ କରିଆସୁଛନ୍ତି ।


 

ଦାମିତ୍ରୀ ଓ ମାରିଆଙ୍କ ନୋବଲ ଶାନ୍ତି ପୁରସ୍କାର ଗ୍ରହଣ ଅଭିଭାଷଣ କିପରି ସମକାଳୀନ ସାମ୍ୱାଦିକତା ଏକଛତ୍ର ରାଜନୀତିକ ମତବାଦ ଓ ପୁଞ୍ଜିବାଦୀ ବୈଷୟିକ ସ୍ଥିତିର ବନ୍ଧନୀରେ ଆବଦ୍ଧ ହୋଇପଡ଼ିଛି ତାହାର ନିଚ୍ଛକ ଚ଼ିତ୍ର ପ୍ରଦାନ କରିଥାଏ । ବିଡ଼ମ୍ୱନାର ବିଷୟ ଏହି ଯେ ସାଧାରଣ ନାଗରିକ ଏତାଦୃଶ ବିପଦ ସଂପର୍କରେ ଅଜ୍ଞ । ସାମାଜିକ ଓ ବୈଷୟିକ ପ୍ରଗତି ସାମ୍ୱାଦିକତାକୁ ସର୍ବୋଚ୍ଚ ବଦଳରେ ସର୍ବନିମ୍ନସ୍ତରକୁ ଠେଲିଦେଉଥିବା ଘଟଣାକ୍ରମ ଅସ୍ୱାଭାବିକ ମନେହୁଏ ।                     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୨୧


ତଥ୍ୟ :


 

https://www.nobelprize.org/prizes/2021/muratov/lecture


 

https://www.nobelprize.org/prizes/2021/ressa/lecture



 ଗାର୍ସିଆ ମାର୍କୁଜଙ୍କ ଦୃଷ୍ଟିରେ ସାମ୍ୱାଦିକତା

ଦକ୍ଷିଣ ଆମେରିକାର ନୋବଲ ପୁରସ୍କାର ବିଜେତା ଔପନ୍ୟାସିକ ଗାବ୍ରିଲ ଗାର୍ସିଆ ମାର୍କୁଜ ନିଜ ସୃଜନ ଜୀବନ ସାମ୍ୱାଦିକତାରୁ ଆରମ୍ଭ କରିଥିଲେ । ସେ ୧୯ ବର୍ଷ ବୟସରେ ଜନ୍ମଭୂମି କଲୋମ୍ୱିଆରେ ଏକ ସମ୍ୱାଦପତ୍ରରେ ସମ୍ପାଦକୀୟ ଲେଖକରୂପେ ଯୋଗ ଦେଇଥିଲେ । ପରବର୍ତ୍ତୀସମୟରେ କଲୋମ୍ୱିଆ ସାଙ୍ଗକୁ ଭେନେଜୁଆଲାରେ ସମ୍ୱାଦଦାତା ବୃତ୍ତିରେ ନିୟୋଜିତ ହୋଇଥିଲେ । ମାର୍କୁଜଙ୍କ ‘ୱାନ ହଣ୍ଡ୍ରେଡ଼ ଇଅରର୍ସ ଅଫ ସଲିଟ୍ୟୁଡ଼’ ଓ ‘ଲଭ ଇନ ଦି ଟାଇମ ଅଫ କଲେରା’ ଭଳି ଉପନ୍ୟାସ ବିଶ୍ୱବ୍ୟାପୀ ପ୍ରସିଦ୍ଧି ଲାଭ କରିଥିଲା ।


 

ସାମ୍ୱାଦିକତା ସହ ମାର୍କୁଜ ଦୀର୍ଘ ଅର୍ଦ୍ଧଶତାଦ୍ଦୀ ଧରି ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷଭାବେ ସଂଶ୍ଳିଷ୍ଟ ରହିଥିଲେ । ଏହି ସମୟସୀମାରେ ଗଣମାଧ୍ୟମରେ ବ୍ୟାପକ ପରିବର୍ତ୍ତନ ସୂତ୍ରପାତ ହୋଇଥିଲା । ମାର୍କୁଜଙ୍କ ମତରେ ଗଣମାଧ୍ୟମର ବ୍ୟାପ୍ତି ସହ ସାମ୍ୱାଦିକତାର ଗୁଣବତ୍ତା ବିକାଶ ସମତାଳ ରଖିପାରି ନାହିଁ । ସମ୍ୱାଦ ସଂଗ୍ରହ ଓ ପ୍ରସାରଣ ନିମନ୍ତେ ବିଭିନ୍ନ ପ୍ରଯୁକ୍ତିଗତ ଉଦ୍ଭାବନ ଅନୁକୂଳ ପରିବେଶ ସୃଷ୍ଟି କରୁଥିବା ପ୍ରତୀୟମାନ ହେଉଥିଲେ ହେଁ ସ୍ଥଳବିଶେଷରେ ସେଗୁଡ଼ିକ ସାମ୍ୱାଦିକତାର ଅନ୍ତଃସତ୍ତା ପ୍ରଦୂଷଣର ସାଧନ ପାଲଟୁଥିବା ଅଭିଯୋଗ କରିଥିଲେ ।‘ଇଣ୍ଡେକ୍ସ ଅନ୍ ସେନସରସିପ’ ପତ୍ରିକାରେ ୧୯୯୭ରେ ସାମ୍ୱାଦିକତା ସଂପର୍କରେ ମାର୍କୁଜଙ୍କ ଦୃଷ୍ଟିକୋଣ ଅନୁଶୀଳନରେ ଏକ ରଚ଼ନା ପ୍ରକାଶ ପାଇଥିଲା ।


 

ନିଜ ଅଭିଜ୍ଞତା ବର୍ଣ୍ଣନା କରି ସାମ୍ୱାଦିକତା ତାଲିମ ସଂପର୍କରେ ସେ ଲେଖିଥିଲେ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ବିଶ୍ୱବ୍ୟାପୀ ସାମ୍ୱାଦିକତା ଶିଖିବା ନିମନ୍ତେ ସମ୍ୱାଦପତ୍ର କାର୍ଯ୍ୟାଳୟର ସମ୍ପାଦନା କକ୍ଷ, ମୁଦ୍ରଣାଳୟ ଓ ସାମ୍ୱାଦିକଙ୍କ ଆଡ୍ଡାରେ ଉପସ୍ଥିତି ହିଁ ତିନିଗୋଟି ସୂତ୍ରରୂପେ ବିବେଚ଼ିତ ହେଉଥିଲା । ପ୍ରବୀଣ ଓ ନବୀନ ସାମ୍ୱାଦିକଙ୍କ ମଧ୍ୟରେ ସତୀର୍ଥ ମନୋଭାବ ସାମ୍ୱାଦିକତା ଶିକ୍ଷାର ମୂଳଦୁଆ ପାଲଟୁଥିଲା । ଯିଏ ସାମ୍ୱାଦିକ ହେବାକୁ ଚ଼ାହୁଁଥିଲା ସେ ସମ୍ୱାଦପତ୍ର କାର୍ଯ୍ୟାଳୟ ବା ମୁଦ୍ରଣାଳୟରେ ପହଞ୍ଚୁଥିଲା । କଫି ଆଡ୍ଡାରେ ଘଣ୍ଟା ଘଣ୍ଟା ଧରି ସମସାମୟିକ ଘଟଣାକ୍ରମ ସାଙ୍ଗକୁ ସାମ୍ୱାଦିକତା କଳାକୌଶଳ ସଂପର୍କରେ ଆଲୋଚ଼ନା ହୁଏ । ପ୍ରବୃତ୍ତିଗତ ପ୍ରଭାବରେ ସାମ୍ୱାଦିକତା ଶିକ୍ଷାନବୀଶ ଏଭଳି ଗୋଷ୍ଠୀଗତ ଜୀବନରେ ପ୍ରବେଶ କରିବା ଅବସରରେ ଦିନରାତି ନିଜ ରଚ଼ନା ସନ୍ନିବେଶିତ ପରିବେଶରେ ହିଁ ନିମଜ୍ଜି ରହୁଥିଲା ।


 

ସମ୍ୱାଦପତ୍ର କାର୍ଯ୍ୟାଳୟଗୁଡ଼ିକରେ ସମ୍ୱାଦ, ଫିଚ଼ର ଓ ସମ୍ପାଦକୀୟ ତିନିଗୋଟି ଭିନ୍ନ ବିଭାଗ ନିଜର ସ୍ୱତନ୍ତ୍ରତା ଜାହିର କରୁଥିଲେ । ସମ୍ୱାଦ ସହ ଅଭିମତର ମିଶ୍ରଣ ଯେ କେବଳ ଦୋଷାବହଥିଲା ତାହା ନୁହ, ବୃତ୍ତିଗତ ଜୀବନରେ ଫିଚ଼ର ଓ ସମ୍ପାଦକୀୟ ବିଭାଗରେ ଅନୁପ୍ରବେଶକୁ ବୁଝାଉଥିଲା । ସାମ୍ୱାଦିକତାରେ ଉତ୍କର୍ଷତା ସାମ୍ୱାଦିକର ବୃଦ୍ଧିମତ୍ତାଉପରେ ନିର୍ଭରଶୀଳ ରହୁଥିଲା । ସମ୍ୱାଦ ସଂଗ୍ରହ ନିମନ୍ତେ ସାମ୍ୱାଦିକ ନିଜର କାନ, ନୋଟ ବୁକ ଓ ନୈତିକତାକୁ ପାଥେୟ କରି କାର୍ଯ୍ୟନିର୍ବାହ କରୁଥିଲା । ତଥ୍ୟର ସମ୍ୱାଦ ରୂପାନ୍ତରିକରଣ ଏବଂ ନୈତିକତା ଆଧାରରେ ପ୍ରକାଶନ ଯୋଗ୍ୟତା ନିର୍ଦ୍ଧାରଣ ସଂପୃକ୍ତ ସାମ୍ୱାଦିକର ମୌଳିକ ବୁଦ୍ଧିମତ୍ତାଉପରେ ନିର୍ଭରଶୀଳ ରହୁଥିଲା ।


 

ମାର୍କୁଜ ସାମାନ୍ୟ ଟେପରେର୍କଡ଼ର ଭଳି ଯନ୍ତ୍ରପାତି ସାମ୍ୱାଦିକତାର ମୌଳିକତାକୁ ପ୍ରଭାବିତ କରୁଥିବା ଅଭିଯୋଗ କରିଥିଲେ । ଯାନ୍ତ୍ରିକ ଲିପି ଆବଦ୍ଧ କଥୋପକଥନକୁ ବାରମ୍ୱାର ଦୋହରାଇପାରେ କିନ୍ତୁ ହୃଦୟହୀନ ବୋଲି ଲେଖିଥିଲେ । କାରଣ ସତ୍ୟ ଉଦ୍ଘାଟନ ଅନ୍ତଃଦୃଷ୍ଟି ଆବଶ୍ୟକ କରିଥାଏ, ଏଥି ନିମନ୍ତେ ସ୍ୱରଗତ ପ୍ରମାଣ ଅର୍ଥହୀନ । ପାରମ୍ପରିକଭାବେ ସମ୍ୱାଦର ସତ୍ୟତା ନିମନ୍ତେ ସାମ୍ୱାଦିକ ନିଜେ ଦାୟୀ ରହିବା ଉଚ଼ିତ, ସୂତ୍ରଗୁଡ଼ିକୁ ଦାୟୀ କରାଯାଇ ନପାରେ । ସ୍ୱଭାବତଃ ସାମ୍ୱାଦିକମାନେ ସୂତ୍ରର ପରିଚ଼ୟ ପ୍ରକାଶ କରିବାରେ କୁଣ୍ଠା ପ୍ରକାଶ କରିଥାନ୍ତି ଏବଂ ସୂତ୍ରଗୁଡ଼ିକର ବିଶ୍ୱାସନୀୟତା ସାମ୍ୱାଦିକଙ୍କ ଦକ୍ଷତା ଉପରେ ନିର୍ଭରଶୀଳ ।


 

ମାର୍କୁଜଙ୍କ ମତରେ ସାମ୍ୱାଦିକତାର ବିସ୍ତୃତି ଅବସରରେ ପ୍ରଯୁକ୍ତିଗତ ଉଦ୍ଭାବନଗୁଡ଼ିକୁ ଯେଉଁ ବେଗରେ ଗଣମାଧ୍ୟମରେ ଉପଯୋଗ କରିବା ନିମନ୍ତେ ପ୍ରତିଯୋଗିତା ଚ଼ାଲିଲା ତାହାସହ ତାଳ ଦେଇ ସାମ୍ୱାଦିକତାର ମୂଳ ଆଧାର ତୃଣମୂଳସ୍ତରର ସାମ୍ୱାଦିକଙ୍କ ଦକ୍ଷତା ବିକାଶ ପ୍ରତି ଦୃଷ୍ଟି ଦିଆଯାଇ ପାରିଲା ନାହିଁ । ଫଳରେ ସାମ୍ୱାଦିକତାର ଗୁଣବତ୍ତା ବିକାଶରେ ନୂତନ ଉଦ୍ଭାବନଗୁଡ଼ିକ ଯେତିକି ପରିମାଣରେ ପ୍ରଭାବିତ କରିବା ଉଚ଼ିତ ତାହା ସଂଭବପର ହୋଇପାରିଲା ନାହିଁ । ଏହା ବିଶ୍ୱବ୍ୟାପୀ ଯେ କେବଳ ଏକ ଅଧାପନ୍ତରିଆ ପରିବେଶ ସୃଷ୍ଟି କରିଛି ତାହା ନୁହ, ସ୍ଥଳବିଶେଷରେ ସାମ୍ୱାଦିକତା ସାମାଜିକ ଅସ୍ଥିରତାର କାରଣ ପାଲଟୁଛି ।


 

ମାର୍କୁଜ ସାମ୍ୱାଦିକତା ବିକାଶରେ ସାମ୍ୱାଦିକତା ବିଦ୍ୟାଳୟଗୁଡ଼ିକର ଭୂମିକାର ସମାଲୋଚ଼ନା କରିଥିଲେ । ଆନୁଷ୍ଠାନିକସ୍ତରରେ ସାମ୍ୱାଦିକତା ଶିକ୍ଷାର୍ଥୀ ଚ଼ୟନ ଅବସରରେ ପ୍ରାର୍ଥୀଙ୍କ ରୁଚ଼ି, ସର୍ଜନଶୀଳତା ଓ ଦକ୍ଷତା ପ୍ରତି ଗୁରୁତ୍ୱ ଦିଆଯିବା ବିଧେୟ । ତେବେ ବିଭିନ୍ନ କାରଣରୁ ତାହା ସମ୍ଭବପର ହୋଇପାରି ନଥାଏ । ଫଳରେ ଅନେକ ସାମ୍ୱାଦିକତା ଉପାଧିଧାରୀ ସାମ୍ୱାଦିକତା କାର୍ଯ୍ୟକ୍ଷେତ୍ରରେ ସୁଚ଼ାରୁରୂପେ ଦାୟିତ୍ୱ ନିର୍ବାହ କରିପାରନ୍ତି ନାହିଁ ।ବୃତ୍ତିଗତ ସାମ୍ୱାଦିକତାରେ ପ୍ରତିଭାଧରଙ୍କ ଅଭାବ ପରିବେଶକୁ ଋଗ୍ଣ କରିପକାଏ ।


 

ଯେକୌଣସି ପ୍ରଣାଳୀରେ ସାମ୍ୱାଦିକତା ତାଲିମ ନିମନ୍ତେ ପ୍ରାର୍ଥୀଙ୍କ ଦକ୍ଷତାକୁ ଅଗ୍ରାଧିକାର ଦେବା ନିମନ୍ତେ ମାର୍କୁଜ ମତବ୍ୟକ୍ତ କରିଥିଲେ । ସମ୍ୱାଦ ସଂଗ୍ରହ ଓ ରଚ଼ନାଲାଗି ଅନୁସନ୍ଧାନମୂଳକ ମନୋବୃତ୍ତି ତଥା ସାମାଜିକ ବିକାଶକଳ୍ପେ ସମ୍ୱାଦିକତା ନିୟୋଜନ ନିମନ୍ତେ ନୈତିକତା ପ୍ରତି ଗୁରୁତ୍ୱ ପ୍ରଦାନ ହିଁ ପ୍ରକୃତ ସାମ୍ୱାଦିକ ଗଢ଼ି ତୋଳିଥାଏ । ଏଗୁଡ଼ିକର ଅଭାବରେ ପୁସ୍ତକଗତ ଜ୍ଞାନଭିତ୍ତିକ କଳାକୌଶଳ କଣ୍ଠସ୍ଥ କରିବାରେ ସାମ୍ୱାଦିକତା ତାଲିମ ପୂର୍ଣ୍ଣାଙ୍ଗ ହୋଇପାରେ ନାହିଁ ।


 

ବୃତ୍ତିଉପଯୋଗୀ ସାମ୍ୱାଦିକତା ତାଲିମ ବୃତ୍ତିଧାରୀଙ୍କ ଗହଣରେ ପ୍ରକୃତ ଗଣମାଧ୍ୟମ ପରିବେଶରେ ହିଁ ସମ୍ଭବପର ବୋଲି ମାର୍କୁଜ ଯୁକ୍ତି ବାଢ଼ିଥିଲେ । ସାମ୍ୱାଦିକତା ବିଦ୍ୟାଳୟଗୁଡ଼ିକ ଏଭଳି ସୁବିଧାସୁଯୋଗକୁ ପାଠ୍ୟକ୍ରମରେ ଅଗ୍ରାଧିକାର ଦେବା ଉଚ଼ିତ ବୋଲି ପରାମର୍ଶ ଦେଇଥିଲେ । ଉତ୍ତର ଆଧୁନିକ ଯୁଗରେ ବିଶ୍ୱବ୍ୟାପୀ ସାମ୍ୱାଦିକତାରେ ଅନୈତିକତାକୁ ନେଇ ଉଦବେଗ ପ୍ରକାଶ କରାଯାଉଥିବା ସ୍ଥଳେ ସାମ୍ୱାଦିକଙ୍କ ଦକ୍ଷତା ହ୍ରାସ ସାମ୍ୱାଦିକତାର ମାନହାନୀର ମୁଖ୍ୟ କାରଣ ବୋଲି ଟୀପ୍ପଣି ଲିପିବଦ୍ଧ କରିଥିଲେ ।


 

ସମ୍ୱାଦ ଆଙ୍ଗୀକରେ ଅଭିମତ ସଂଯୋଗର ମାର୍କୁଜ ଘୋର ବିରୋଧୀ । ସେ ଲେଖିଥିଲେ ସମ୍ୱାଦରେ ସାମ୍ୱାଦିକମାନେ ମତାମତ ରଖୁଥିବାବେଳେ ସମ୍ପାଦକୀୟଗୁଡ଼ିକ ଅଭିମତ ବଦଳରେ ତଥ୍ୟ ଉପସ୍ଥାପନରେ ଭରାକ୍ରାନ୍ତ ହୋଇପଡୁଥିବା ଧାରା ସାମ୍ୱାଦିକତାକୁ ବିପର୍ଯ୍ୟସ୍ତ କରିପକାଉଛି । ପ୍ରଯୁକ୍ତି ବିଜ୍ଞାନ ଉଦ୍ଭାବିତ ନୂତନ ଗଣମାଧ୍ୟମ ପରିବେଶରେ ସାମ୍ୱାଦିକତା କ୍ରମଶଃ ନିୟନ୍ତ୍ରଣବିହୀନ ହୋଇପଡୁଥିବା ପୂର୍ବାନୁମାନକରି ସେ ନିଜ ରଚ଼ନାରେ ଉଦବେଗ ପ୍ରକାଶ କରିଥିଲେ ।                      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୯ ଜୁନ ୨୦୧୮


ତଥ୍ୟ:


 

https://www.indexoncensorship.org/2017/03/journalism-best-job-in-the-world-gabriel-garcia-marquez-on-journalism/ 

ମନୋଜ ଦାସଙ୍କ ସାମ୍ୱାଦିକତା

ମନୋଜ ଦାସଙ୍କ ଯଶସ୍ୱୀ କଥାକାର ଜୀବନର ଆଢୁଆଳେ ସାମ୍ୱାଦିକତା କ୍ଷେତ୍ରରେ ତାଙ୍କରି କୃତିତ୍ୱ ବହୁ ମଞ୍ଚରେ ଆଲୋଚ଼ନାର ପରିସରକୁ ଆସିପାରେ ନାହିଁ ।  ଜୀବନବ୍ୟାପୀ ଓଡ଼ିଆ ଦୈନିକ ସମ୍ୱାଦପତ୍ର  ସମାଜ, ଧରିତ୍ରୀ, ଅନୁପମ ଭାରତ ସାଙ୍ଗକୁ ଜାତୀୟସ୍ତରରେ ଇଂଲିଶ ଟାଇମ୍ସ ଅଫ ଇଣ୍ଡିଆ, ହିନ୍ଦୁସ୍ତାନ ଟାଇମ୍ସ, ହିନ୍ଦୁ, ଷ୍ଟେଟ୍ସମେନ ସହ କେତେକ ବିଦେଶୀ ପତ୍ରପତ୍ରିକାରେ ତାଙ୍କରି ସ୍ତମ୍ଭମାନ ପ୍ରକାଶିତ ହୋଇଥିଲା । ଚପଳମତି ସ୍କୁଲ ଜୀବନରୁ ବାର୍ଦ୍ଧକ୍ୟରେ ଶଯ୍ୟାଶାୟୀ ଅବସ୍ଥାରେ ପହଞ୍ଚିବା ଯାଏଁ ସୃଜନ ଓ ପ୍ରକାଶନ ସହ ଯୋଡ଼ି ହୋଇ ରହି ଆସିଥିଲେ ।


 

ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ୧୯୫୦ରେ ‘ଦିଗନ୍ତ’ ପତ୍ରିକା ସଂପାଦନା ଓ ପ୍ରକାଶନ କରିଥିଲେ । ଏଥିରୁ ସୃଜନ ଓ ପ୍ରକାଶନ ମଞ୍ଚ ପ୍ରଯୋଜନାରେ ମନୋଜ ଦାସଙ୍କ ତତ୍ପରତା ବେଶ ଲକ୍ଷ୍ୟ କରିହୁଏ । ପରବର୍ତ୍ତୀ କାଳରେ ଇଂଲିଶ ପତ୍ରିକା ‘ହେରିଟେଜ’ ସମ୍ପାଦନା ସହ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତିକସ୍ତରରେ ବହୁ ଗଣମାଧ୍ୟମ ସଂସ୍ଥା ସହ ପରାମର୍ଶଦାତା ଭାବେ ସଂପୃକ୍ତ ଥିଲେ ।


 

ଏତଦ୍ ବ୍ୟତୀତ ପୁଡୁଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ଦୀର୍ଘ ୫୭ ବର୍ଷ ଅବସ୍ଥାନ କାଳରେ ଆଶ୍ରମର ପ୍ରକାଶନଗୁଡ଼ିକରେ ଅଂଶ ଗ୍ରହଣ କରିବା ତ ସ୍ୱାଭାବିକ । ମନୋଜ ଦାସ ସର୍ଜନଶୀଳ ଥିଲେ, ସେଥିରେ ଦ୍ୱି-ମତ ନାହିଁ । କିନ୍ତୁ ସେ ଦୀର୍ଘକାଳ ସୃଜନକ୍ଷେତ୍ରରେ ଅତିବାହିତ କରିଥିବା ହେତୁ ତାଙ୍କରି ଲେଖକ-ସାମ୍ୱାଦିକ ଜୀବନ ଯେ ତେଜଦୀପ୍ତ ହୋଇପାରିଥିଲା, ଏକଥା ସ୍ଥୁଳ ଅନୁଶୀଳନରେ ହୃଦବୋଧ ହୁଏ । ତାଙ୍କରି ଜୀବନୀରୁ ଯଦି ଆମର କିଛି ଶିଖିବାର ଅଛି, ତେବେ ପ୍ରଥମତଃ ସୃଜନରେ ଦୀର୍ଘ ସଂପୃକ୍ତି ସଫଳତାର ଅନ୍ୟତମ ରହସ୍ୟ ବୋଲି ବିଚାର କରିବାକୁ ହେବ ।


 

ମନୋଜ ଦାସ ୧୯୫୯ରେ କଟକ ରେଭେନ୍ସା କଲେଜରୁ ଇଂଲିଶ ସାହିତ୍ୟରେ ସ୍ନାତକୋତ୍ତର ଉପାଧି ଲାଭପରେ ଖ୍ରୀଷ୍ଟ କଲେଜରେ ଚାରିବର୍ଷ ଅଧ୍ୟାପନା କରି କେତେକ ବ୍ୟକ୍ତିଗତ କାରଣରୁ ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅଧ୍ୟାପକ ଭାବେ ଯୋଗଦେବା ନିମନ୍ତେ ୧୯୬୩ରେ ପଣ୍ଡିଚ଼େରୀ, ଅଧୁନା ପୁଡୁଚେରୀ ଯାତ୍ରା କରିଥିଲେ । ନୂଆକରି ଗଢ଼ି ଉଠିଥିବା ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅଧ୍ୟାପନା, ଗବେଷଣା ଓ ସୃଜନ ନିମନ୍ତେ ସୁବିଧା ସୁଯୋଗ ଉପଲବ୍ଧ ଥିଲା । ଷଷ୍ଠ ଓ ସପ୍ତମ ଦଶକ ସୁଦ୍ଧା ଫ୍ରେଞ୍ଚ ଉପନିବେଶରୁ ସଦ୍ୟ ମୁକ୍ତ ପୁଡୁଚେରୀରେ ଫ୍ରେଞ୍ଚ ସଂସ୍କୃତିର ଛାପ ଛୋଟିଆ ସହରଟିରେ ପହଞ୍ଚିଗଲେ ବିଦେଶର ଭ୍ରମ ସୃଷ୍ଟି କରୁଥିଲା । ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି, ସହରର ମଧ୍ୟଭାଗରେ ସୁବିସ୍ତୃତ ସେଣ୍ଟ୍ରାଲ ପାର୍କ, ଫ୍ରେଞ୍ଚ ବସତିର ଗଳିରାସ୍ତା କଳ୍ପନାବିଳାସୀ ମନୋଜ ଦାସଙ୍କ ଲେଖକ ଜୀବନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥିଲା । ପାରିପାର୍ଶ୍ୱିକ ସ୍ଥିତି ଯେ ସୃଜନକୁ ପ୍ରୋତ୍ସାହିତ କରିଥାଏ ତାହା ମନୋଜ ଦାସଙ୍କ ଜୀବନରେ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଦିଗ ।


 

ପୁଡୁଚ଼େରୀ ମାଡ୍ରାସ, ଅଧୁନା ଚ଼େନ୍ନାଇ ସଂଲଗ୍ନ ସହର ହୋଇଥିବା ହେତୁ ଦକ୍ଷିଣ ଭାରତ ଗଣମାଧ୍ୟମ ରାଜଧାନୀର ସୁବିଧା ସୁଯୋଗର ଦ୍ୱାର ଉନ୍ମୁକ୍ତ । ଚ଼େନ୍ନାଇର ଗ୍ରନ୍ଥାଗାର, ଯାଦୁଘର, ହିନ୍ଦୁ ଓ ଚନ୍ଦାମାମା ପବ୍ଲିକେସନ୍ସ ଭଳି ପ୍ରକାଶନ ସଂସ୍ଥା ମନୋଜ ଦାସଙ୍କ ସୃଜନ ପରିସ୍ପୁଟନରେ ସହାୟକ ହୋଇଥିଲା । ସେହିପରି ଶ୍ରୀ ଅରବିନ୍ଦ ଆଶ୍ରମକୁ ବିଦେଶୀ ବୁଦ୍ଧିଜୀବୀ ଓ ପର୍ଯ୍ୟଟକଙ୍କ ଆତଯାତ ଲାଗି ରହିଥାଏ । ସେମାନଙ୍କ ସହଚ଼ର୍ଯ୍ୟରେ ମନୋଜ ଦାସଙ୍କ ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ସୃଷ୍ଟିରେ ସହାୟକ ହୋଇଥିଲା । ସେ ଛାତ୍ର ଜୀବନରେ ଇଣ୍ଡୋନେଏସିଆ ଠାରୁ ପରେ ବହୁ ବିଦେଶ ରାଷ୍ଟ୍ର ଭ୍ରମଣର ସୁଯୋଗ ପାଇଥିଲେ । ଜଣେ ସଫଳ ଲେଖକ-ସାମ୍ୱାଦିକ ପକ୍ଷେ ଦେଶବିଦେଶ ଭ୍ରମଣ ଅନିର୍ବାଯ୍ୟ ନହେଲେ ସୁଦ୍ଧା ଅନିସିନ୍ଧୁତ୍ସୁ ପାଠକୀୟ ଆଗ୍ରହ ଚ଼ରିତାର୍ଥ କରିବାରେ ଉପାଦାନ ସଂଗ୍ରହରେ ସହାୟକ ହୋଇଥାଏ । ଏହା ମନୋଜ ଦାସଙ୍କ ଜୀବନରେ ତୃତୀୟ ବିଶେଷତ୍ୱ ।


 

ଓଡ଼ିଆ ସମ୍ୱାଦପତ୍ର ଓ ପତ୍ରପତ୍ରିକା ନିମନ୍ତେ ସ୍ତମ୍ଭ ରଚ଼ନାରେ ମନୋଜ ଦାସ ଅଗ୍ରଗଣ୍ୟ । ଷଷ୍ଠ ଓ ସପ୍ତମ ଦଶକରେ ‘ସମାଜ’ର ରବିବାର ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ନିୟମିତ ସ୍ତମ୍ଭ ‘ସନ୍ଧାନ ଓ ସମୀକ୍ଷା’ ସାଧାରଣ ପାଠକଙ୍କୁ ଝରକା ସେପାଖ ପୃଥିବୀ ସଂପର୍କରେ ପରିଚିତ କରାଇବା ସଙ୍ଗେ ଯୁବଲେଖକମାନଙ୍କୁ ସାମ୍ୱାଦିକତା ନିମନ୍ତେ ପ୍ରୋତ୍ସାହିତ କରିଥିଲା । ଶ୍ରୀ ଅରବିନ୍ଦ ଜନ୍ମ ଶତବାର୍ଷକୀ ପାଳନ ଅବସରରେ ବୃତ୍ତି ପାଇ ସ୍ୱାଧୀନତା ସଂଗ୍ରାମରେ ଶ୍ରୀ ଅରବିନ୍ଦଙ୍କ ଭୂମିକା ଗବେଷଣା ନିମନ୍ତେ ପ୍ରାୟ ବର୍ଷେକାଳ ମନୋଜ ଦାସ ଲଣ୍ଡନରେ ଅବସ୍ଥାନ କରିଥିଲେ । ଲଣ୍ଡନ ରହଣୀର ପ୍ରତିଟି ଉଲ୍ଲେଖଯୋଗ୍ୟ ଘଟଣାର ଧାରାବିବରଣୀ ନିଜ ସ୍ତମ୍ଭରେ ପ୍ରକାଶ କରିଥିଲେ । ଓଡ଼ିଆ ପାଠକ, ମୁଖ୍ୟତଃ ସେ ସମୟର ଯୁବଶ୍ରେଣୀଙ୍କୁ ପାଶ୍ଚାତ୍ୟ ସଂସ୍କୃତି ସଂପର୍କରେ ପରିଚ଼ିତ କରାଇବାରେ ମନୋଜ ଦାସଙ୍କ ଭ୍ରମଣ କାହାଣୀର ପ୍ରଭାବ ବହୁ ପାଠକ ଜୀବନବ୍ୟାପୀ ଭୁଲି ପାରିନାହାନ୍ତି । ଏହି ବର୍ଗରେ କେତେ ଦିଗନ୍ତ, ଦୂର ଦୂରାନ୍ତର, ଅଦୂର ବିଦେଶ, ଅନ୍ତରଙ୍ଗ ଭାରତ ଇତ୍ୟାଦି ସ୍ତମ୍ଭ ପ୍ରଧାନ ।


 

ଚତୁର୍ଥତଃ, ମନୋଜ ଦାସଙ୍କ ସାହିତ୍ୟ-ସାମ୍ୱାଦିକତାରେ ବିମୋହିତ ପାଠକବର୍ଗଙ୍କ ସହ ଦୀର୍ଘକାଳୀନ ସଂପର୍କ ସ୍ଥାପନ ବିପୁଳ ପ୍ରସଂଶକ ସୃଷ୍ଟିରେ ପର୍ଯ୍ୟବସିତ ହୋଇଥିଲା । ଛୋଟବଡ଼ ସମସ୍ତ ସାମ୍ୱାଦିକ ଗଣମାଧ୍ୟମରେ ନିଜସ୍ୱ ସୃଜନ ପ୍ରକାଶ କାଳରେ ଊଣାଅଧିକେ ପାଠକଙ୍କ ପ୍ରତିକ୍ରିୟା ପାଇଥାନ୍ତି । କିନ୍ତୁ ପଞ୍ଚାନବେ ପ୍ରତିଶତରୁ ଅଧିକ ଏହି ନୂତନ ପରିଚ଼ିତ ବର୍ଗଙ୍କୁ ବନ୍ଧୁତ୍ୱ ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ଯତ୍ନବାନ ହୁଅନ୍ତି ନାହିଁ । ମନୋଜ ଦାସଙ୍କ ସୃଜନ ଜୀବନର ଦୀର୍ଘକାଳ ମୋବାଇଲ, କମ୍ପ୍ୟୁଟର, ଇଣ୍ଟରନେଟ ଭଳି ସୁଲଭ ଯୋଗାଯୋଗର ବ୍ୟବସ୍ଥା ନଥିଲା । ସେ ଆଶ୍ରମ ପ୍ରସ୍ତୁତ ହେଣ୍ଡମେଡ଼ ପେପରର ସୁନ୍ଦର ଲେଟର ହେଡ଼ରେ ନିଜ ପାଖେ ପହଞ୍ଚୁଥିବା ପ୍ରତ୍ୟେକଟି ପତ୍ରର ହସ୍ତଲିଖିତ ଉତ୍ତର ଡ଼ାକ ଯୋଗେ ଦେଉଥିଲେ । ଏହା ହିଁ ସଂପର୍କର ସେତୁ ବାନ୍ଧୁଥିଲା ।


 

ମନୋଜ ଦାସଙ୍କ ପୂର୍ବପୀଢ଼ିର ଖ୍ୟାତନାମା ସାହିତ୍ୟିକ-ସାମ୍ୱାଦିକ-ସମ୍ପାଦକ ତଥା ପ୍ରସିଦ୍ଧ ସ୍ତମ୍ଭକାର ଖୁସୁବନ୍ତ ସିଂ ସମ୍ୱାଦପତ୍ର ପଢ଼ିବାପରେ ପାଠକ-ପ୍ରଶଂସକଙ୍କ ପତ୍ରର ଉତ୍ତରଲେଖାରେ ସମଗ୍ର ସକାଳବେଳାଟି ଉପଯୋଗ କରୁଥିଲେ । ସାମ୍ୱାଦିକତା କ୍ଷେତ୍ରରେ ଖ୍ୟାତିର ସଂପ୍ରସାରଣ ପାଇଁ ସମସ୍ତବର୍ଗର ସାମ୍ୱାଦିକ ପାଠକ ସଂପୃକ୍ତି ପ୍ରତି ଲକ୍ଷ୍ୟଭିତ୍ତିକ ଉଦ୍ୟମ ଦୀର୍ଘକାଳୀନ ସଫଳତା ପ୍ରଦାନ କରିଥାଏ ।


 

ମନୋଜ ଦାସ ଉତ୍ତର ପୀଢ଼ି ସାହିତ୍ୟିକ ସାମ୍ୱାଦିକମାନଙ୍କୁ ନିଜ ସୃଜନ ଚାତୁରୀ ସଂପର୍କରେ ଉଦାର ଚିତ୍ତରେ ପରାମର୍ଶ ଦେଉଥିଲେ । ସେ କହୁଥିଲେ କୌଣସି ବିଷୟରେ ଚ଼ିନ୍ତା ପ୍ରକଟମାତ୍ରେ ପ୍ରଥମେ ପ୍ରଗଳଭ ଭାବେ ସେ ଲେଖି ପକାନ୍ତି । କିଛି ସମୟ ବ୍ୟବଧାନରେ, ଏପରିକି ପରଦିନ ବା ବହୁଦିନ ପରେ, ସେହି ରଚ଼ନାଗୁଡ଼ିକୁ ସଂଶୋଧନ, ପୁନଃଲିଖନରେ ମନୋନିବେଶ କରନ୍ତି । ଏହି ପ୍ରକ୍ରିୟାକୁ ସେ ଗୋ-ମହିଷାଦି ପଶୁଙ୍କ ଖାଦ୍ୟ ଗ୍ରହଣଜନିତ ‘ରୋମନ୍ଥନ’ ସହ ତୁଳନା କରୁଥିଲେ ।


 

ପଞ୍ଚମତଃ, ମନୋଜ ଦାସଙ୍କ ଏହି ତତ୍ତ୍ୱ ଯେଉଁ ସାହିତ୍ୟିକ, ସାମ୍ୱାଦିକ ତଥା ଅନ୍ୟ ସର୍ଜନଶୀଳମାନେ ବୁଝିପାରିଥାନ୍ତି ସେମାନଙ୍କ ସୃଜନର ଉତ୍କର୍ଷ ପରିମାପ ଅନ୍ତତଃପକ୍ଷେ ୫୦ ପ୍ରତିଶତ ବଢ଼ିଥାଏ । ମନୋଜ ଦାସଙ୍କ ପରଲୋକ ଘଟିଛି ସତ, ପୁଣି ଥରେ ତାଙ୍କ ସହ ଦେଖା-ସାକ୍ଷାତ ଆଳାପ-ଆଲୋଚନା ଅସମ୍ଭବ । ତେବେ ନିଜସ୍ୱ ରଚନାର ରୋମନ୍ଥନ ପ୍ରକ୍ରିୟାରେ ସଂଶୋଧନ, ପୁନଃଲିଖନ କାଳରେ ଆକସ୍ମିକ ତାଙ୍କରି ସ୍ମୃତିଯେ ମନେପଡ଼ିଯିବ ଏଥିରେ ସନ୍ଦେହ ନାହିଁ ।                       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୦ ଏପ୍ରିଲ ୨୦୨୧