ଏଆଇ

ଚ଼ାଟ-ଜିପିଟି 

ଗଣମାଧ୍ୟମ ବିଶେଷଜ୍ଞମାନେ ୨୦୨୩ରେ ବିଭିନ୍ନ ସାମାଜିକ କ୍ଷେତ୍ର ସମେତ ସାମ୍ୱାଦିକତାରେ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଉପଯୋଗ ପୂର୍ବାନୁମାନ କରିବା ଅନ୍ତରାଳେ ୨୦୨୨ ଶେଷଭାଗରେ ‘ଚ଼ାଟ-ଜିପିଟି’ ଭଳି ମଞ୍ଚ ଉନ୍ମୋଚନ ଗୁରୁତ୍ୱ ବହନ କରିଥାଏ । ‘ଚ଼ାଟ-ଜିପିଟି’ (ଜେନେରେଟିଉଭ ପ୍ରି-ଟ୍ରେଇନଡ଼ ଟ୍ରାନ୍ସଫରମର) ଏକ ‘ଚ଼ାଟ-ବଟ’ । ‘ଚ଼ାଟ-ବଟ’ ବା ‘ଚ଼ାଟର-ବଟ’ ସଫଟୱେର ଯୋଗେ ଅନଲାଇନ ପ୍ରଶ୍ନୋତ୍ତର ସମ୍ପାଦିତ ହୋଇଥାଏ । ସଫଟୱେର ଯେଉଁ ସବୁ ଡ଼ିଜିଟାଲ ତଥ୍ୟ ଅକ୍ତିଆର କରିବା ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇଥାଏ, ତାହା ଅନାୟସରେ ଜିଜ୍ଞାଷୁଙ୍କ ମଧ୍ୟରେ ଅନବରତ ବିତରଣ କରିପାରେ । ଏଥିଲାଗି ମନୁଷ୍ୟ ମଧ୍ୟସ୍ଥି ଆବଶ୍ୟକ ପଡ଼େ ନାହିଁ । ଏକକାଳୀନ ବହୁ ସଂଖ୍ୟକ ସେବା ଗ୍ରହଣ କରିପାରନ୍ତି ... ଇତ୍ୟାଦି ।

 

‘ଓପନ-ଏଆଇ’ ବିକଶିତ ‘ଚ଼ାଟ-ଜିପିଟି’ ୩୦ ନଭେମ୍ୱର ୨୦୨୨ରେ ଆତ୍ମପ୍ରକାଶ କରିବା ପ୍ରଥମ ପାଞ୍ଚ ଦିନରେ ବିଶ୍ୱବ୍ୟାପୀ ଦଶଲକ୍ଷରୁ ଉର୍ଦ୍ଧ୍ୱ ଉପଭୋକ୍ତାଙ୍କ ଉପସ୍ଥିତି ଏହି ମଞ୍ଚ ପ୍ରତି ସର୍ବସାଧାରଣରେ ଉତ୍ସୁକତାର ପ୍ରମାଣ । ଏହାକୁ ଏକ ବୃହତ ଭାଷା ମଞ୍ଚ ‘ଲଙ୍ଗୁଏଜ ମଡ଼େଲ’ ରୂପେ ଚ଼ିହ୍ନଟ କରାଯାଏ । ବିସ୍ତୃତ ପରିମାଣରେ ତଥ୍ୟ ସଂବଳିତ ‘ଚ଼ାଟ-ଜିପିଟି’ କୃତ୍ରିମ ବୁଦ୍ଧିମତ୍ତା ବଳରେ କ୍ଷଣିକ ମଧ୍ୟରେ ଉପଭୋକ୍ତାଙ୍କ ଆବଶ୍ୟକମତେ ରଚ଼ନା ପ୍ରସ୍ତୁତ କରିବାରେ ସକ୍ଷମ । ସରଳରେ ବୁଝାଇବାକୁ ଗଲେ ଏହି ମଞ୍ଚରେ ପ୍ରଶ୍ନ ବା ଅନୁରୋଧ ମତେ ଏଠାରେ ଉପଲବ୍ଧ ତଥ୍ୟାବଳୀ ଆଧାରିତ ନିର୍ଦ୍ଦିଷ୍ଟ ବିଷୟରେ ରଚ଼ନା ଯାନ୍ତ୍ରିକ ସାଧନରେ ପ୍ରସ୍ତୁତି ସମ୍ଭବ ।

 

କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ରଚ଼ନା ପ୍ରସ୍ତୁତି ନିମନ୍ତେ ନିକଟ ଅତୀତରେ ଗୁଗୁଲ ଓ ମାଇକ୍ରୋସଫଟ ସମେତ ବିଶ୍ୱବ୍ୟାପୀ ବିଭିନ୍ନ ଅନଲାଇନ ଗବେଷଣା ସଂସ୍ଥା ପକ୍ଷରୁ ଉଦ୍ୟମ ଲାଗିରହିଥିଲା । ତେବେ ବିଭିନ୍ନ କାରଣରୁ ପ୍ରଭାବଶାଳୀ ହୋଇପାରିନଥିଲା । ଅବଶ୍ୟ ‘ଚ଼ାଟ-ଜିପିଟି’ ମାଇକ୍ରୋସଫଟ ସମର୍ଥିତ । କେତେକ କ୍ଷେତ୍ରରେ ଉଦ୍ୟମଗୁଡ଼ିକରେ ଧାଡ଼ିଏ, ଦୁଇ ଧାଡ଼ି ରଚ଼ନାରେ ସୀମିତ ରହୁଥିବା ସ୍ଥଳେ ‘ଚ଼ାଟ-ଜିପିଟି’ରେ ବହୁ ଅନୁଚ୍ଛେଦ ସମ୍ୱଳିତ ଦୀର୍ଘ ରଚ଼ନା ପ୍ରସ୍ତୁତ ସଂଭବ । ଫଳରେ ଏହି ସଫଟୱେର ଉପଯୋଗରେ ଲଘୁ ନିବନ୍ଧ, ପ୍ରବନ୍ଧ ବା ପୂର୍ଣ୍ଣ ପୁସ୍ତକ ନିମନ୍ତେ ରଚ଼ନା ପ୍ରସ୍ତୁତି ସୁଯୋଗ ମିଳିଥାଏ । ପ୍ରାଥମିକ ସ୍ତରରେ ‘ଚ଼ାଟ-ଜିପିଟି’ ବ୍ୟବହାର ମାଗଣାରେ ଉପଲବ୍ଧ । ପରବର୍ତ୍ତୀ ପର୍ଯ୍ୟାୟରେ ଶୁଳ୍କ ବ୍ୟବସ୍ଥା ଲାଗୁ ହୋଇପାରେ ।

 

ସାମ୍ୱାଦିକତା, ମୁଖ୍ୟତଃ ସମ୍ୱାଦ ଓ ଲଘୁ ରଚ଼ନା ପ୍ରସ୍ତୁତିରେ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ପ୍ରାଧାନ୍ୟ ଲାଭ କରିଥିଲା । ଚ଼ୀନର ‘ବେଜିଂ ଟାଇମ୍ସ’ ପକ୍ଷରୁ ବିକଶିତ ସଫ୍ଟୱେର ଯୋଗେ ୨୦୧୪ ସେପ୍ଟେମ୍ୱର ମାସରେ ମିନଟରେ ହଜାରେ ଶବ୍ଦ ସମ୍ୱଳିତ ରଚ଼ନା ପ୍ରସ୍ତୁତି ପ୍ରଦର୍ଶନ କରାଯାଇଥିଲା । ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ, ଚ଼ୀନ ଓ ଋଷରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ରଚ଼ନା ପ୍ରସ୍ତୁତି ନିମନ୍ତେ ସାଧନ ଉପଲବ୍ଧ ଏବଂ ସମ୍ୱାଦ ମଞ୍ଚଗୁଡ଼ିକ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷାମୂଳକଭାବେ ବ୍ୟବହାର ଆରମ୍ଭ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ‘ଦି ୱାଶିଂଟନ ପୋଷ୍ଟ’ ୨୦୧୬ ରିଓ ଅଲମ୍ପିକ କ୍ରୀଡ଼ାର କାର୍ଯ୍ୟକ୍ରମ, ଫଳାଫଳ ଓ ମେଡ଼େଲ ବଣ୍ଟନ ଇତ୍ୟାଦି ତଥ୍ୟଭିତ୍ତିକ ସମ୍ୱାଦ ନିଜଦ୍ୱାରା ବିକଶିତ ‘ହେଲିଗ୍ରୋଫ’ ନାମକ ସଫଟୱେର ମାଧ୍ୟମରେ ସ୍ୱୟଂକ୍ରିୟ ପଦ୍ଧତିରେ ବ୍ଳଗ ଓ ଟୁଇଟରରେ ପ୍ରକାଶ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା ।

 

କ୍ରମଶଃ ବିକଶିତ ରାଷ୍ଟ୍ରଗୁଡ଼ିକରେ ଉଭୟ ଡ଼ିଜିଟାଲ ଓ ପାରମ୍ପରିକ ସମ୍ୱାଦ ମଞ୍ଚ କୃତ୍ରିମ ବୁଦ୍ଧିମତ୍ତା କାରିଗରୀ କୌଶଳ ଉପଯୋଗରେ ରଚ଼ନା ପ୍ରସ୍ତୁତି ପ୍ରତି ଧ୍ୟାନ ଦେଇଛନ୍ତି । କେତେକ ବୃହତ ମାର୍କିନ ସମ୍ୱାଦପତ୍ର ଶୃଙ୍ଖଳ ମୁଖ୍ୟତଃ ତଥ୍ୟ ସମ୍ୱଳିତ ଗଭୀର ଆଞ୍ଚଳିକ ସମ୍ୱାଦ ‘ହାଇପର ଲୋକାଲ ନିଉଜ’ ପ୍ରସ୍ତୁତି ଲାଗି ଯାନ୍ତ୍ରିକ ପଦ୍ଧତିକୁ ଅଗ୍ରାଧିକାର ଦେଉଥିବା ଦେଖୁବାକୁ ମିଳେ । କୁହାଯାଇଛି ଯେ ସମ୍ୱାଦ ପ୍ରସ୍ତୁତିରେ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର ଫଳରେ ସମ୍ୱାଦିକ ଛଟେଇ ହେବେ ନାହିଁ । ସାଧାରଣ ତଥ୍ୟ ସଂକଳନରେ ସମୟ ଖର୍ଚ୍ଚ ନକରି ସାମ୍ୱାଦିକମାନେ ବିଷୟବସ୍ତୁର ଗଭୀର ଅନୁଧ୍ୟାନରେ ସମୟ ବିନିଯୋଗ କରିପାରିବେ । ଏହି ଭଳି କୈଫିୟତ ଗଣିତରେ କାଲକୁଲେଟର ଓ କମ୍ପୁଟର ଉପଯୋଗର ଉଦାହରଣ ମନକୁ ଆସିଥାଏ ।

 

ବିଶେଷଜ୍ଞଙ୍କ ବିଚାରରେ ସାମ୍ୱାଦିକତାରେ କୃତ୍ରିମ ବୁଦ୍ଧିମତ୍ତା ତଥ୍ୟ ତନଖି ‘ଫେକ୍ଟ ଚେକ’ ଓ ତଥ୍ୟ ବିଶ୍ଳେଷଣ ‘ଡ଼ାଟା ଏନାଲିସିସ’ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବ । ତେବେ ଜଟିଳ ଘଟଣାକ୍ରମ ବୁଝିବାରେ ଯାନ୍ତ୍ରିକ ପଦ୍ଧତି ପ୍ରାଥମିକସ୍ତରରେ ପଛଘୁଞ୍ଚା ଦେବ । ପୂର୍ବାପର ସଙ୍ଗତିକୁ ବିଚାରକୁ ନେଇ ବିଭିନ୍ନ ଦୃଷ୍ଟିକୋଣରୁ ମାନବକୃତ ତର୍ଜମା କୃତ୍ରିମ ବୁଦ୍ଧିମତ୍ତା ଯୋଗେ ରଚ଼ନାରେ ସଂଭବ ନହୋଇପାରେ । ଅପରପକ୍ଷରେ ଭବିଷ୍ୟତରେ ପାଠକମାନେ କେତେକ ଶ୍ରେଣୀର ରଚ଼ନାରେ ମନୁଷ୍ୟ ବଦଳରେ ଯାନ୍ତ୍ରିକ ପଦ୍ଧତିକୁ ଅଗ୍ରାଧିକାର ଦେଇପାରନ୍ତି । କାରଣ ସେଗୁଡ଼ିକ ନିର୍ଭୁଲ ଓ ନିରପେକ୍ଷ ରହିବା ଆଶା କରାଯାଇପାରେ ।

 

ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ଚଳନ୍ତି ଘଟଣାକ୍ରମ ସଂପର୍କୀତ ତଥ୍ୟାବଳୀ ପ୍ରକାଶନରେ ନୂତନ ପଦ୍ଧତି ପ୍ରୟୋଗ ଅଗ୍ରଣୀ ହୋଇପାରେ । ଉଦାହରଣରେ କ୍ରୀଡ଼ା ପ୍ରତିଯୋଗିତା, ନିର୍ବାଚନ ଫଳାଫଳ ପ୍ରକାଶନରେ ପାରଦର୍ଶିତା ପ୍ରଦର୍ଶନ ସଂଭବ । ଅବଶ୍ୟ ଯାନ୍ତ୍ରିକ ପଦ୍ଧତିରେ ସ୍ୱୟଂକ୍ରିୟ ସମ୍ୱାଦ ପରିବେଷଣ ଅବସରରେ ପ୍ରକାଶିତ ସମ୍ୱାଦର ସତ୍ୟାସତ୍ୟ ନିମନ୍ତେ କିଏ ଉତ୍ତରଦାୟୀ ରହିବ, ତାହା ଏକ ବଡ଼ ପ୍ରଶ୍ନ ।

 

ପରିବର୍ତ୍ତିତ ଅନଲାଇନ ପରିବେଶରେ ବୈଷୟିକ ଉଦ୍ଭାବନଗୁଡ଼ିକର ପରିଚ଼ିତି କ୍ଷୀପ୍ରଗତିରେ ସଂପ୍ରସାରିତ ହୋଇପାରୁଛି । ‘ଚ଼ାଟ-ଜିପିଟି’ ୱେବସାଇଟ ଉନ୍ମୋଚନପରେ ବିକଶିତ ରାଷ୍ଟ୍ରଗୁଡ଼ିକର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୋକପ୍ରିୟତା ଏକ ଉଲ୍ଲେଖଯୋଗ୍ୟ ଘଟଣା । ଯୁକ୍ତରାଷ୍ଟ୍ର ଆମେରିକାର ବଡ଼ ସହରଗୁଡ଼ିକରେ କୋମଳମତି ଛାତ୍ରଛାତ୍ରୀମାନେ ନିଜ ପାଠପଢ଼ା କୃତ୍ରିମ ବୁଦ୍ଧିମତ୍ତା ମଞ୍ଚ ବ୍ୟବହାର କରିବାକୁ  ଲାଗିପଡ଼ିଥିଲେ । ଫଳରେ ବିଦ୍ୟାଳୟର ଶିକ୍ଷକ ଓ ଅଭିବାବକମାନେ ଚ଼ିନ୍ତିତ ହୋଇ ଏହି ୱେବସାଇଟ ପ୍ରକାଶନର ମାତ୍ର ପାଞ୍ଚ ସପ୍ତାହ ମଧ୍ୟରେ ନ୍ୟୂୟର୍କ ସିଟି ଶିକ୍ଷା ଜିଲ୍ଲାର ବିଦ୍ୟାଳୟ ପ୍ରାଙ୍ଗଣଗୁଡ଼ିକରେ ସ୍ଥାପିତ ସମସ୍ତ କମ୍ୟୁଟରରେ ‘ଚ଼ାଟ-ଜିପିଟି’ ୱେବସାଇଟକୁ ବ୍ଳକ କରାଯାଇଥିଲା ।

 

ଯାନ୍ତ୍ରିକ ରଚ଼ନା ସାମ୍ୱାଦିକତା ସମେତ ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତିତ ପରିବେଶ ସୃଷ୍ଟି କରିବା ନିଶ୍ଚିତ । ଇଂଲିଶ ଭାଷାରେ ବିକଶିତ ‘ଚ଼ାଟ-ଜିପିଟି’ ଓଡ଼ିଆ ଭଳି ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରଭାବ ବିସ୍ତାର କରିବ । ମୌଳିକଭାବେ ଇଂଲିଶ ଭାଷାରେ ରଚ଼ନା ପ୍ରସ୍ତୁତ ପରେ ତାହା ଓଡ଼ିଆ ଭାଷାରେ ଅନୁବାଦ ସମ୍ଭବ । ଅନୁବାଦର ଗୁଣାତ୍ମକ ବିକାଶ ନିମନ୍ତେ ‘ଗୁଗୁଲ’ ପକ୍ଷରୁ ଭାରତରେ ୨୦୨୩ରେ ଏକ ବଡ଼ ଯୋଜନା ରୂପାୟନ ଲାଗି ହାତକୁ ନିଆଯାଇଥିବା ଆଶା ସଂଚାର କରେ । ଅର୍ଥାତ, ଭବିଷ୍ୟତରେ ଏହି ଯାନ୍ତ୍ରିକ ରଚ଼ନା ପଦ୍ଧତି ବିଶ୍ୱର ପ୍ରତ୍ୟେକ ଆଞ୍ଚଳିକ ଭାଷାରେ ରଚ଼ନା ପ୍ରସ୍ତୁତି ଲାଗି ପ୍ରଶସ୍ତ କ୍ଷେତ୍ର ସୃଷ୍ଟି କରିବ ।

 

ସମୀକ୍ଷକମାନଙ୍କ ମତରେ ଯାନ୍ତ୍ରିକ ରଚ଼ନା ପଦ୍ଧତି ସାମ୍ୱାଦିକତାକୁ ପ୍ରଭାବିତ କରିବା ପୂର୍ବାନୁମାନ ଅବସରରେ ସାମ୍ୱାଦିକମାନେ ଏହି ନୂତନ ଜ୍ଞାନ କୌଶଳ ଆୟତ୍ତ କରିବା ବୁଦ୍ଧିମାନ କାର୍ଯ୍ୟ । ସମ୍ୱାଦ ରଚ଼ନା କାଳରେ ତଥ୍ୟ ତନଖି ଓ ବିଶ୍ଳେଷଣ ଖୁବ କମ ସମୟରେ ସଂଭବ ହେଲେ ସାମ୍ୱାଦିକମାନେ ଗଭୀର ଅନୁଶୀଳନ ନିମନ୍ତେ ଅଧିକ ସମୟ ପାଇପାରିବେ ଏବଂ ସାମ୍ୱାଦିକତାରେ ଗୁଣାତ୍ମକ ବିକାଶରେ ସହାୟକ ହୋଇପାରିବ । ସାମ୍ୱାଦିକତାରେ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଲାଗି ବୃତ୍ତିଧାରୀ କାର୍ଯ୍ୟରତ ମଧ୍ୟ-ବୟସ୍କ ସାମ୍ୱାଦିକଙ୍କ ନିମନ୍ତେ ଅନଲାଇନ ତାଲିମ ଓ ସାମ୍ୱାଦିକତା ଶିକ୍ଷାର୍ଥୀଙ୍କ ଲାଗି ପାଠ୍ୟକ୍ରମର ନବୀକରଣ ସମୟର ଆହ୍ୱାନ ।

 

‘ଚ଼ାଟ-ଜିପିଟି’ ସଂପର୍କୀତ ୟୁଟ୍ୟୁବ ଭିଡ଼ିଓ ଦେଖିବା ପାଇଁ କ୍ଳିକ କରନ୍ତୁ :

 

ChatGPT Tutorial – A crash course on ChatGPT for beginners

 

https://www.youtube.com/watch?v=JTxsNm9IdYU


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୩ ଜାନୁୟାରୀ ୨୦୨୩


ChatGPT optimized Language model

 

https://openai.com/blog/chatgpt/

 

Obrien, Matt. Explainer : What is ChatGPT and why are schools blocking it ? apnews.com. Jan 06, 2023

 

https://apnews.com/article/what-is-chat-gpt-ac4967a4fb41fda31c4d27f015e32660?user_email=c0a67481058d11d982d26ee39720801ac2de45955447e7fae5fa60caec1d0426&utm_medium=Afternoon_Wire&utm_source=Sailthru&utm_campaign=Afternoon%20Wire%20Jan.%206&utm_term=Afternoon%20Wire

ଗୁଗୁଲ ‘ବାର୍ଡ଼’ 

ଇଣ୍ଟରନେଟ କ୍ରମବିକାଶ ଇତିହାସରେ ପ୍ରଥମଥର ନିମନ୍ତେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଚାଟ-ବଟ ‘ଚାଟ-ଜିପିଟି’ ୩୦ ନଭେମ୍ୱର୨୦୨୨ରେ ଆତ୍ମପ୍ରକାଶ କରିବା ଦୁଇ ମାସ ମଧ୍ୟରେ ଦଶ କୋଟି ଉପଭୋକ୍ତା ସୃଷ୍ଟି କରିଥିବା ‘ସିମିଲାର-ୱେବ’ ନାମକ ଇଣ୍ଟରନେଟ ଗବେଷଣା ସଂସ୍ଥା ପକ୍ଷରୁ ୨୦୨୩ ଫେବୃୟାରୀ ପ୍ରଥମ ସପ୍ତାହରେ ସୂଚ଼ିତ କରାଯାଇଥିଲା । ‘ସେନସର-ଟାୱାର’ ନାମକ ଅନ୍ୟ ଏକ ଗବେଷଣା ସଂସ୍ଥାର ହିସାବରେ ଆନ୍ତର୍ଜାତିକସ୍ତରରେ ଅନ୍ୟ ଦୁଇ ଲୋକପ୍ରିୟ ମଞ୍ଚ ‘ଟିକ-ଟକ’ ପ୍ରକାଶନପରେ ଦଶ କୋଟି ବ୍ୟବହାରକାରୀ ସଂଗ୍ରହ ପାଇଁ ନଅ ମାସ ନେଇଥିବା ସ୍ଥଳେ ‘ଇନଷ୍ଟାଗ୍ରାମ’ କ୍ଷେତ୍ରରେ ସେତିକି ସଂଖ୍ୟକଙ୍କୁ ମଞ୍ଚ ପ୍ରତି ଆକର୍ଷିତ କରିବା ନିମନ୍ତେ ଦୁଇ ବର୍ଷ ଲାଗି ଯାଇଥିଲା । ‘ଚାଟ-ଜିପିଟି’ର ଉଦ୍ୟୋକ୍ତା ଯୁକ୍ତରାଷ୍ଟ୍ର ଆମେରିକା ସାନଫ୍ରାନ୍ସିକୋ-କେନ୍ଦ୍ରୀକ ‘ଓପନ-ଏଆଇ’ ଲାଙ୍ଗୁଏଜ ମଡ଼େଲ ସହ ଏଆଇଭିତ୍ତିକ ଇମେଜ ଜେନେରେଟର ‘ଡ଼େଲ-ଇ’ ମଧ୍ୟ ବିକଶିତ କରିଛି ।

 

ସୃଜନ କୃତ୍ରିମ ବୁଦ୍ଧିମତ୍ତା ‘ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ପ୍ରତି ଉପଭୋକ୍ତାଙ୍କ ଆଗ୍ରହକୁ ଭିତ୍ତି କରି ଇଣ୍ଟରନେଟ ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ‘ଗୁଗୁଲ’ ପକ୍ଷରୁ ‘ବାର୍ଡ଼’ ନାମକ ଏକ ‘ଏକ୍ସପରିମେଣ୍ଟାଲ ଅବଜରଭେସନାଲ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ପ୍ରସ୍ତୁତ କରିଥିବା ୬ ଫେବୃୟାରୀ ୨୦୨୩ରେ ଘୋଷଣା କରିଛି । ‘ଗୁଗୁଲ’ର ଅଧ୍ୟକ୍ଷ ସୁନ୍ଦର ପିଚାଇ ଏକ ବ୍ଳଗପୋଷ୍ଟରେ ଉଲ୍ଲେଖ କରିଥିଲେ ଯେ ‘ବାର୍ଡ଼’ ପ୍ରଥମେ ପରୀକ୍ଷାମୂଳକଭାବେ ନିର୍ଦ୍ଦିଷ୍ଟ ସଂଖ୍ୟକ ବିଶ୍ୱସ୍ତ ଉପଭୋକ୍ତାଙ୍କ ବ୍ୟବହାର ନିମନ୍ତେ ଉନ୍ମୁକ୍ତ କରାଯିବ । ସମୟକ୍ରମେ ଏହା ସର୍ବସାଧାରଣ ବ୍ୟବହାର୍ଯ୍ୟ ମଞ୍ଚରେ ପରିଣତ ହେବ । ଗୁଗୁଲ ପକ୍ଷରୁ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ପ୍ରୟୋଗରେ ଲାଙ୍ଗୁଏଜ ମଡ଼େଲ ବିକାଶ ନିମନ୍ତେ ଯତ୍ନ ଜାରି ରହିଆସିଛି । ୨୦୨୦ରେ ‘ଲାଙ୍ଗୁଏଜ ମଡ଼େଲ ଫର ଡ଼ାଏଲଗ ଆପ୍ଲିକେସନ’ ନାମରେ ଏକ ସଫଟୱେର ବିକାଶ କରାଯାଇଥିଲା ।

 

ସୁନ୍ଦର ପିଚାଇଙ୍କ ଭାଷାରେ ଆନ୍ତର୍ଜାତିକସ୍ତରରେ ବିଭିନ୍ନ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ପ୍ରୟୋଗ ସଂପର୍କରେ ଗବେଷଣା ପ୍ରାଥମିକତା ଦାବୀ କରୁଛି । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ପ୍ରତି ଛଅମାସରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଗବେଷଣାର ସଂଖ୍ୟା ଦ୍ୱିଗୁଣିତ ହୋଇଚାଲିଛି । ଫଳତଃ, ବହୁ ବ୍ୟବହାରଯୋଗ୍ୟ ଉତ୍ପାଦ ବଜାରକୁ ଆସୁଛି ଏବଂ ବିଶ୍ୱବାସୀ ଉନ୍ନତରୁ ଅତି-ଉନ୍ନତ ସ୍ତରର ସେବା ପ୍ରାପ୍ତି ନିମନ୍ତେ ହକଦାର ହୋଇପାରୁଛନ୍ତି । ଗୁଗୁଲ ପକ୍ଷରୁ ଲାଏମଡ଼ା, ପାଲ-ଏମ, ଇମାଜେନ ଓ ମ୍ୟୁଜିକ-ଏଲଏମ ଭଳି ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ସମୃଦ୍ଧ ଉତ୍ପାଦମାନ ଲୋକାର୍ପିତ ।

 

କୁହାଯାଏ ଯେ ଗୁଗୁଲ ଦୀର୍ଘ ଅତୀତରୁ ବିଭିନ୍ନ ସାଧନରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗ କରି ଆସୁଥିଲେହେଁ ଉପଭୋକ୍ତାଙ୍କୁ ସିଧାସଳଖ ବ୍ୟବହାରଲାଗି ଉନ୍ମୁକ୍ତ କରିନଥିଲା । କିନ୍ତୁ ‘ଓପନ-ଏଆଇ’ ପକ୍ଷରୁ ‘ଚାଟ-ଜିପିଟି’ ପ୍ରକାଶନ ଏବଂ ଖୁବ କମ ସମୟରେ ବିଶ୍ୱବ୍ୟାପୀ ଉପଭୋକ୍ତାଙ୍କ ଦୃଷ୍ଟି ଆକର୍ଷଣ ପରେ ‘ଗୁଗୁଲ’କୁ ସମଧରଣର ସୁବିଧା ସୁଯୋଗ ବଜାରକୁ ଛାଡ଼ିବା ଏକରକମ ବାଧ୍ୟବାଧକତାରେ ପରିଣତ ହୋଇଥିଲା । ଅନ୍ୟ ପକ୍ଷରେ ‘ଓପନ-ଏଆଇ’ ମଞ୍ଚ ଗୁଗୁଲର ପ୍ରତିଯୋଗୀ ‘ମାଇକ୍ରୋସଫଟ’ ଦ୍ୱାରା ସମର୍ଥିତ ଏବଂ ‘ଚାଟ-ଜିପିଟି’ ଉନ୍ମୋଚନ ପରେ ‘ମାଇକ୍ରୋସଫଟ’ ବିପୁଳ ଧନରାଶି ଏହି ଚାଟ-ବଟରେ ନିବେଶ କରିବା ନିମନ୍ତେ ଘୋଷଣା କରିଥିଲା । ଅତଏବ ‘ଚାଟ-ବଟ’କୁ କେନ୍ଦ୍ର କରି ‘ମାଇକ୍ରୋସଫଟ’ ଓ ‘ଗୁଗୁଲ’ ମଧ୍ୟରେ ପ୍ରତିଦ୍ୱନ୍ଦିତା ସୁସ୍ପଷ୍ଟ ।

 

‘ଚାଟ-ଜିପିଟି’ ଓ ‘ବାର୍ଡ’ ମଧ୍ୟରେ କେତେକ ମୌଳିକ ପାର୍ଥକ୍ୟ ଦେଖିବାକୁ ମିଳିବ । ଦୁଇଗୋଟି ମଞ୍ଚରେ ଉପଭୋକ୍ତା ପ୍ରଶ୍ନ କଲେ ‘ମେସିନ ଲଣ୍ଣିଂ’ ପଦ୍ଧତିରେ ତାହାର ଉତ୍ତର କ୍ଷଣିକ ମଧ୍ୟରେ ଲିଖିତ ଆକାରରେ ଖୋଜି ବାହାର କରାଯିବ । ‘ଚାଟ-ଜିପିଟି’ରେ ପୂର୍ବ-ଗଚ୍ଛିତ ତଥ୍ୟାବଳୀରୁ  ଆବଶ୍ୟକୀୟ ଉତ୍ତର ଖୋଜାଯିବା ବ୍ୟବସ୍ଥା ପ୍ରଚଳିତ ଥିବା ସ୍ଥଳେ ‘ବାର୍ଡ’ରେ ‘ଗୁଗୁଲ’ର ପହଞ୍ଚ ଇଣ୍ଟରନେଟରେ ଉପଲବ୍ଧ ସମସ୍ତ ତଥ୍ୟ ସାମିଲ ହେବା ଅନୁମାନ କରାଯାଉଛି । ‘ଚାଟ-ଜିପିଟି’ରେ ୨୦୨୩ ଆରମ୍ଭ ସୁଦ୍ଧା ୨୦୨୧ ମସିହା ଯାଏଁ ତଥ୍ୟ ଗଚ୍ଛିତ ରଖାଯାଇଥିଲା । ତେଣୁ ସେହି ସମୟସୀମା ଯାଏଁ ପ୍ରଶ୍ନର ଉତ୍ତର ପାଇବା ସମ୍ଭବ । ଉଦାହରଣରେ ଋଷ-ୟୁକ୍ରେନ ଯୁଦ୍ଧ ୨୦୨୨ ମସିହାରେ ଆରମ୍ଭ ହୋଇଥିବା ହେତୁ ୨୦୨୩ ଫେବୃୟାରୀ ସୁଦ୍ଧା ‘ଚାଟ-ଜିପିଟି’ରେ ଯୁଦ୍ଧ ସଂପର୍କୀତ ତଥ୍ୟ ଖୋଜି ବାହାର କରାଯାଇନପାରେ ।

 

ସୃଜନ କୃତ୍ରିମ ବୁଦ୍ଧିମତ୍ତା ‘ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ବିକାଶ କ୍ଷେତ୍ରରେ ମାଇକ୍ରୋସଫଟ ଓ ଗୁଗୁଲ ପରକୁ ଚୀନର ସର୍ଚ୍ଚ ଇଞ୍ଜିନ ‘ବାଇଡୁ’ ପକ୍ଷରୁ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ‘ଏରନି-ବଟ’ ନାମରେ ସମ ଧରଣର ଏକ ‘ଚାଟ-ବଟ’ ପ୍ରକାଶ କରିବା ନେଇ ଘୋଷଣା କରିଥିଲା । ୨୦୨୩ ଫେବୃୟାରୀ ପ୍ରଥମାର୍ଦ୍ଧ ଯାଏଁ ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ ଓ ଋଷରୁ ଏହି କ୍ଷେତ୍ରରେ ନୂତନ ଉଦ୍ଭାବନ ସଂପର୍କରେ ଘୋଷଣା ହୋଇନଥିଲେ ସୁଦ୍ଧା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ପ୍ରାଦ୍ୟୋଗିକୀ କୌଶଳରେ ଆଗୁଆଥିବା ହେତୁ ନିକଟ ଭବିଷ୍ୟତରେ ବହୁ ଉତ୍ପାଦ ବିକଶିତ ହେବା ସମ୍ଭାବନାକୁ ଏଡ଼ାଇ ଦିଆନଯାଇପାରେ । ପରୋକ୍ଷରେ କହିବାକୁଗଲେ ସିଲିକନ ଭେଲିରେ ୨୦୨୨ ଶେଷ ପାଦରେ ଆରମ୍ଭ ହୋଇଥିବା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ପ୍ରୟୋଗ ଧାରା ବିଶ୍ୱବ୍ୟାପୀ କମ୍ପ୍ୟୁଟିଂରେ ଏକ ନୂତନ ତରଙ୍ଗ ‘ଏ ନ୍ୟୂ ୱେବ ଇନ କମ୍ପ୍ୟୁଟିଂ’ରେ ପର୍ଯ୍ୟବଶିତ ହେବା ସୁନିଶ୍ଚିତ ।

 

ଇଂଲିଶ ଶବ୍ଦ ‘ବାର୍ଡ’ – ବି.ଏ.ଆର.ଡ଼ି.ର ଅର୍ଥ କବି ବା ଗାୟକ । ମଧ୍ୟ-ଯୁଗରେ ଜନପଦ ବୁଲି ପ୍ରବୃତ୍ତି ତଥା ବୃତ୍ତିଗତ ଭାବେ ଗୀତ ଗାଉଥିବା ସର୍ଜନଶୀଳଙ୍କୁ ‘ବାର୍ଡ’ କୁହାଯାଉଥିଲା । ଆମ ଓଡ଼ିଆ ସମାଜରେ ମଧ୍ୟ ଏହି ଧରଣର ଗାୟନ ପରମ୍ପରା ରହି ଆସିଥିଲା । ବର୍ତ୍ତମାନ ‘ଗୁଗୁଲ’ର ‘ବାର୍ଡ’ ମୋବାଇଲ ସ୍ମାର୍ଟଫୋନ ପରଦାରେ ଅନୁରୋଧ ମାତ୍ରେ ସୃଜନ ସୃଷ୍ଟିର ପ୍ରତିଶୃତି ନେଇ ପହଞ୍ଚିଛି । ‘ଗୁଗୁଲ’ ପକ୍ଷରୁ କୁହାଯାଇଛି ଯେ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ମଧ୍ୟ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ପ୍ରୟୋଗ କରାଯିବ । ଉଦାହରଣରେ ସର୍ଚ୍ଚରେ ଯେକୌଣସି ବିଷୟରେ ଜାଣିବାକୁ ଚାହିଁଲେ ଅନଲାଇନ ମଞ୍ଚରେ ଉପଲବ୍ଧ ରଚନାବଳୀରୁ ତଥ୍ୟ ଆହରଣ ସମ୍ଭବ ହୋଇପାରୁଥିବା ସ୍ଥଳେ କ୍ରମଶଃ ଜଟିଳ ପ୍ରଶ୍ନୋତ୍ତର ମଧ୍ୟ ପାଇ ହେବ । ଯଥା : ୨୦୨୩ ଶେଷ ସୁଦ୍ଧା ଗୁଗୁଲ ଟ୍ରାନ୍ସଲେଟର ଗୁଣବତ୍ତା ବିକାଶ ହେବା ପରେ କେତେ ମାତ୍ରାରେ ଓଡ଼ିଶାର ପାଠକ ଲାଟିନ ଆମେରିକା ସାହିତ୍ୟ ଓଡ଼ିଆରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ... ଇତ୍ୟାଦି...।

 

ଗୁଗୁଲ ମୁଖ୍ୟ ନିଜ ସର୍ଚ୍ଚ ଇଞ୍ଜିନରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ବିଭବ ସଂଯୋଗ କରିବା ଘୋଷଣାର ତିନିଦିନ ମଧ୍ୟରେ ମାଇକ୍ରୋସଫଟର ମୁଖ୍ୟ ସତ୍ୟ ନଡ଼େଲା ୱାଶିଂଟନ ରାଜ୍ୟ ରେଡ଼ମଣ୍ଡଠାରେ ମାଇକ୍ରୋସଫଟ ପକ୍ଷରୁ ଏହା ସର୍ଚ୍ଚ ଇଞ୍ଜିନ ‘ବିଙ୍ଗ’ରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସଂଯୋଗ ସହ ଏକ ନୂତନ ସଂସ୍କରଣ ପ୍ରକାଶନ ଘୋଷଣା କରିଥିଲେ । ଏକ ହିସାବ ଅନୁଯାୟୀ ୨୦୨୩ ଫେବୃୟାରୀ ମାସ ସୁଦ୍ଧା ‘ବିଙ୍ଗ’ ବିଶ୍ୱବ୍ୟାପୀ ସର୍ଚ୍ଚ ଇଞ୍ଜିନ ବ୍ୟବହାରରେ ମାତ୍ର ଦଶ ପ୍ରତିଶତ ଦାବୀ କରୁଥିଲେହେଁ ନୂତନ ସଂସ୍କରଣ ଅଧିକ ସଂଖ୍ୟକ ବ୍ୟବହାରକାରୀଙ୍କୁ ଆକର୍ଷିତ କରିବା ଏବଂ ଅଧିକ ବିଜ୍ଞାପନ ରାଜସ୍ୱ ଆୟ ଆଶା କରାଯାଇଥିଲା । ମାଇକ୍ରୋସଫଟ ୱିଣ୍ଡୋସ ଅପରେଟିଂ ସିଷ୍ଟମର ସତ୍ତ୍ୱାଧିକାରୀ । ଏହାର ୱେବ ବ୍ରାଉଜର ‘ଏଡ଼ଜ’ ମଧ୍ୟ ଉପଲବ୍ଧ । ସର୍ଚ୍ଚ ଇଞ୍ଜିନ ‘ବିଙ୍ଗ’ର ସର୍ଚ୍ଚ ରିଜଲ୍ଟସ ସହ ସଂପୃକ୍ତ ୱେବ ପେଜର ସାରାଂଶ ପ୍ରଦାନ ନୂତନ ସଂସ୍କରଣରେ ଉଲ୍ଲେଖନୀୟ ପରିବର୍ତ୍ତନ ରୂପେ ଚ଼ିହ୍ନଟ କରାଯାଏ ।

 

ବିଶେଷଜ୍ଞଙ୍କ ମତରେ ଚାଟ-ଜିପିଟି, ବାର୍ଡଏରନି-ବଟ ଭଳି ଚାଟ-ବଟ ସର୍ଜନଶୀଳଙ୍କ ପ୍ରାଥମିକ କାର୍ଯ୍ୟାବଳୀ ତଥ୍ୟ ସଂଗ୍ରହ ଓ ଏକତ୍ରୀକରଣ ଭଳି ଦାୟିତ୍ୱ ସଂଭାଳିବା ପରେ ସୃଜନର ଗୁଣାତ୍ମକ ବିକାଶ ନିମନ୍ତେ ଉନ୍ନତ ସୋପାନ ଆରୋହଣ ସଂଭାବନା ଭବିଷ୍ୟତ ଲାଗି ସକାରାତ୍ମକ ଚ଼ିତ୍ର ଉଦ୍ଭାସିତ କରିଥାଏ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୦ ଫେବୃୟାରୀ ୨୦୨୩


ତଥ୍ୟ:

 

Pichai, Sundar. An important next step on our AI journey

 

https://blog.google/technology/ai/bard-google-ai-search-updates/

 

AI becomes the new battleground : Google tests Chat GPT rival Bard. Business Standard (Bhubaneswar Edition). February 08, 2023

 

Milmo, Dan Chat GPT reaches 100 million users two months after launch. The Guardin. Feb 2, 2023

ସୃଜନ କୃତ୍ରିମ ବୁଦ୍ଧିମତ୍ତା ଅଭିଯାନ 

ଭାଷା, ସାହିତ୍ୟ ଓ ଗଣମାଧ୍ୟମ ମଞ୍ଚ ସାମ୍ୱାଦିକତାର ବାହ୍ୟ ଆବରଣ । ଏହି ତିନିଗୋଟି କ୍ଷେତ୍ରରେ ଉନ୍ନତି ବା ଅବନତି ସଂପୃକ୍ତ ସାମ୍ୱାଦିକତାର ଗୁଣବତ୍ତା ନିର୍ଦ୍ଧାରଣ କରିଥାଏ । ଭାଷା ସମୃଦ୍ଧ ନହେଲେ, ସାହିତ୍ୟଗତ ଶୈଳୀରେ ବିବିଧତା ପ୍ରସ୍ପୁଟିତ ନହେଲେ କିମ୍ୱା ଗଣମାଧ୍ୟମ ମଞ୍ଚଗୁଡ଼ିକ ସ୍ୱାଧୀନ, ସ୍ୱାବଲମ୍ୱୀ ଓ ଶକ୍ତିଶାଳୀ ନହୋଇପାରିଲେ ସାମ୍ୱାଦିକତାର ବିକାଶ ଅସଂଭବ । ଆଧୁନିକ ଯୁଗରେ ପ୍ରତ୍ୟେକ ଲକ୍ଷ୍ୟ ସାଧନ ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ପ୍ରତି ଗୁରୁତ୍ୱାରୋପ କରାଯାଇଥାଏ । ଓଡ଼ିଆ ସାମ୍ୱାଦିକତାର ଉନ୍ନତିକଳ୍ପେ ସ୍ଥାନୀୟ ଭାଷା, ସାହିତ୍ୟ ଓ ଗଣମାଧ୍ୟମ ମଞ୍ଚ ବିକାଶ ଲାଗି ଲକ୍ଷ୍ୟବଦ୍ଧ ସମୟଭିତ୍ତିକ କାର୍ଯ୍ୟକ୍ରମ ପ୍ରଯୋଜନା ଆବଶ୍ୟକ । ଏହି ଦିଗରେ ସର୍ଜନଶୀଳଙ୍କ ବ୍ୟକ୍ତିଗତ ଉଦ୍ୟମ ପ୍ରାଥମିକତା ଦାବୀ କରୁଥିବା ସ୍ଥଳେ ଉଭୟ ନାଗରିକ ସମାଜ ଓ ସରକାରୀସ୍ତରରେ ପ୍ରୋତ୍ସାହନ ଅଭିଯାନର ସଫଳ ରୂପାୟନରେ ସହାୟକ ହୋଇପାରିବ ।

 

 

ଆନ୍ତର୍ଜାତିକସ୍ତରରେ କୋଭିଡ଼-୧୯ ମହାମାରୀ ପୂର୍ବାବସ୍ଥାର ପ୍ରଦ୍ୟୋଗୀକି ବିକାଶ ବିଭିନ୍ନ କାରଣରୁ ମହାମାରୀ କାଳରେ ଜନଜୀବନରେ ପ୍ରଖର ଗତିରେ ବ୍ୟବହାର୍ଯ୍ୟ ଧାରାରେ ପ୍ରବର୍ତ୍ତିତ ହୋଇଥିଲା । ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ କ୍ରମ-ଉନ୍ମୋଚିତ ବିଭବଗୁଡ଼ିକ ମଧ୍ୟରେ ୨୦୨୨ ଶେଷ ପାଦରେ ପ୍ରଚଳିତ ଭାଷା ପ୍ରକ୍ରିୟାକରଣ ‘ନାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ’ କ୍ଷେତ୍ରରେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ‘ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଭଳି ବୈଷୟିକ କୌଶଳ ଲୋକାର୍ପଣ ଯୁଗାନ୍ତକାରୀ ପରିବର୍ତ୍ତନର ସୂଚନା ଦେଇଛି । ୨୦୨୩ ଆରମ୍ଭରୁ ମାଇକ୍ରୋସଫଟ ସମର୍ଥିତ ଓପନ-ଏଆଇର ‘ଚାଟ-ଜିପିଟି’ ମଞ୍ଚର ପ୍ରସାର ଏବଂ ଗୁଗୁଲ ପକ୍ଷରୁ ତତସମ ‘ବାର୍ଡ’ ମଞ୍ଚ ଉନ୍ମୋଚନ ଘୋଷଣା ତଥା ବହୁ ଇଣ୍ଟରନେଟ ଉଦ୍ୟୋଗୀଙ୍କ ପକ୍ଷରୁ ନୂତନ ଉଦ୍ଭାବନ ପ୍ରକାଶନର ସମ୍ଭାବନା ସମଗ୍ର ଭାଷା, ସାହିତ୍ୟ ଓ ଗଣମାଧ୍ୟମ ମଞ୍ଚ ଉପତ୍ୟକାରେ ନବଜାଗରଣ ସୃଷ୍ଟି କରିଥିଲା ।

 

‘ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ମାଧ୍ୟମରେ ସଫଟୱେର ଆପ୍ଳିକେସନ ଯୋଗେ ଇଣ୍ଟରନେଟରେ ଉପଲବ୍ଧ ତଥ୍ୟାବଳୀ ଆଧାରରେ ପ୍ରଶ୍ନର ଉତ୍ତର, ସାରାଂଶ ବା ବର୍ଣ୍ଣନା ସଂପର୍କୀତ ସ୍ୱୟଂକ୍ରିୟ ଧାରାରେ ରଚନା ପ୍ରସ୍ତୁତି ସଂଭବ । ପାରମ୍ପରିକଭାବେ ସର୍ଚ୍ଚ ଇଞ୍ଜିନ ଯୋଗେ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ଉପଲବ୍ଧ ରଚନାବଳୀର ତାଲିକା ପ୍ରସ୍ତୁତ ସୁବିଧା ବ୍ୟବହୃତ ହୋଇ ଆସିଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ସେଗୁଡ଼ିକର ବିଶ୍ଳେଷଣାତ୍ମକ ରଚନା ପ୍ରସ୍ତୁତି ସଂଭବ ହୋଇପାରିଛି । ଏହି ବୈଷୟିକ ଅଗ୍ରଗତି ଡ଼ିଜିଟାଲ ମଞ୍ଚରେ ଉପଭୋକ୍ତାଙ୍କ ତଥ୍ୟ ଅନ୍ୱେଷଣ ଓ ଆହରଣ ପ୍ରକ୍ରିୟା ସଂପୂର୍ଣ୍ଣ ରୂପେ ବଦଳାଇଦେବା ନିଶ୍ଚିତ ।

 

ଚଳନ୍ତି ପରିବର୍ତ୍ତନ ଧାରାରେ ଭାରତ ମୂଳରୁ ଯୋଡ଼ି ହେବା ଉଲ୍ଲେଖନୀୟ ବିଷୟ । ଫେବୃୟାରୀ ୨୦୨୩ ପହିଲାରେ ଉପସ୍ଥାପିତ କେନ୍ଦ୍ର ବଜେଟରେ ଦେଶରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ବିକାଶ ନିମନ୍ତେ ଗୁରୁତ୍ୱ ଦିଆଯାଇଛି । ତିନିଗୋଟି ବୈଷୟିକ ଶିକ୍ଷାନୁଷ୍ଠାନରେ ଗବେଷଣା ପ୍ରୋତ୍ସାହନ ନିମନ୍ତେ ଉତ୍କର୍ଷକେନ୍ଦ୍ର ପ୍ରତିଷ୍ଠା ଫଳରେ ନୂତନ ଜ୍ଞାନକୌଶଳ ପରିଚାଳନା ନିୟନ୍ତ୍ରଣ ଲାଗି ପରିବେଶ ସୃଷ୍ଟି ସଂଭବ । ସରକାରଙ୍କ ଜାତୀୟ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ କାର୍ଯ୍ୟକ୍ରମରେ କୃଷି, ଶିକ୍ଷା, ଭାରତୀୟ ଆଞ୍ଚଳିକ ଭାଷା, ସ୍ମାର୍ଟ ସିଟି, ସାଇବର ସିକ୍ୟୁରିଟି, ପରିବହନ ଓ ଆର୍ଥିକ କାରବାର ଇତ୍ୟାଦି ନଅ ଗୋଟି ବିଷୟକୁ ପ୍ରାଧାନ୍ୟ ଦିଆଯାଇଛି । ଏହି ସବୁ କ୍ଷେତ୍ରରେ ବ୍ୟବହାର୍ଯ୍ୟ ଜ୍ଞାନକୌଶଳ ବିକାଶକୁ ପ୍ରୋତ୍ସାହିତ କରାଯିବ ।

 

ଡ଼ିଜିଟାଲ ମଞ୍ଚରେ ଭାରତୀୟ ଆଞ୍ଚଳିକ ଭାଷା ସମୂହ ମଧ୍ୟରେ ପାରସ୍ପରିକ ଅନୁବାଦ ନିମନ୍ତେ ଭିତ୍ତିଭୂମି ପ୍ରତିଷ୍ଠା ଲାଗି ସରକାରଙ୍କ ପକ୍ଷରୁ ‘ଭାଷୀଣି’ ନାମକ ଏକ ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିବା ସ୍ଥଳେ ‘ଚାଟ-ଜିପିଟି’ ଦ୍ୱାରା ବିକଶିତ ନୂତନ କାରିଗରୀ କୌଶଳ ସଂଯୁକ୍ତ କରାଯାଇଥିବା କୁହାଯାଉଛି । ଏହାଫଳରେ ଓଡ଼ିଆ ସମେତ ବିଭିନ୍ନ ଆଞ୍ଚଳିକ ଭାଷା ଉନ୍ନତ ଭାଷା ପ୍ରକ୍ରିୟାକରଣ ସୁବିଧା ସୁଯୋଗ ମୂଳରୁ ଉପଯୋଗ କରିବା ନିମନ୍ତେ ପଥ ଉନ୍ମୁକ୍ତ ରହିବ । ଭାରତରେ ପ୍ରଣୀତ କୃତ୍ରିମ ବୁଦ୍ଧିମତ୍ତା ବିକାଶ ନୀତି ସ୍ଥାନୀୟ ପ୍ରଦ୍ୟୋଗୀକି ଶ୍ରମଶକ୍ତି ବିନିଯୋଗରେ ଦୀର୍ଘମିଆଦୀ ସଫଳତା ପାଇବା ଆଶା କରାଯାଇପାରେ ।

 

‘ଚାଟ-ଜିପିଟି’ରେ ‘ଜେନେରିଟିଭ ପ୍ରି-ଟ୍ରେନଡ଼ ଟ୍ରାନ୍ସଫରମର’ ବୈଷୟିକ କୌଶଳ ସନ୍ନିବଶିତ ହୋଇଛି । ସରଳରେ ବୁଝାଇ କହିଲେ, କମ୍ପ୍ୟୁଟର ବୁଦ୍ଧିମତ୍ତା ‘ଆଲଗୋରିଥିମ’ଗୁଡ଼ିକୁ ଡ଼ିଜିଟାଲ ମଞ୍ଚରେ ସ୍ଥାନୀତ ରଚନାଗୁଡ଼ିକରୁ ମାନବୀୟ ସୃଜନ ଶୈଳୀ ଅର୍ଥାତ ମନୁଷ୍ୟ କିପରି ଶବ୍ଦ ସଂଯୋଗରେ ବାକ୍ୟ ବା ଅନୁଚ୍ଛେଦ କରିଥାଏ ସେ ସଂପର୍କରେ ପୂର୍ବ-ତାଲିମ ବ୍ୟବସ୍ଥା କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ପଚାରିବାମତେ ଆଲଗୋରିଥିମଗୁଡ଼ିକ ପୂର୍ବ-ପ୍ରଶିକ୍ଷିତ ଧାରାରେ ଚ଼ିନ୍ତାଧାରା ଓ ଶବ୍ଦାବଳୀ ଏକତ୍ରୀତକରି ରଚନା ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରୁଛି ।

 

ଏହି ପ୍ରକ୍ରିୟା ଜଟିଳ, ସମୟସାପେକ୍ଷ ଏବଂ ଖର୍ଚ୍ଚବହୁଳ । କିନ୍ତୁ କୋଟି କୋଟି ସଂଖ୍ୟାରେ ଉପଭୋକ୍ତାଙ୍କ ଦ୍ୱାରା ବ୍ୟବହୃତ ହେଲେ ବିଜ୍ଞାପନ ସୂତ୍ରରୁ ଅର୍ଥ ଉପାର୍ଜନ ଦ୍ୱାରା ଉପଭୋକ୍ତାଙ୍କୁ ମାଗଣା ବା ସ୍ୱଳ୍ପ ମୂଲ୍ୟରେ ସେବା ଯୋଗାଇଦେବା ସଂଭବ । ଉଦାହରଣରେ ୨୦୦୪ରୁ ଗୁଗୁଲ ସର୍ଚ୍ଚଇଞ୍ଜିନ ମାଗଣାରେ ସେବା ଯୋଗାଇ ଦେଉଥିଲେ ହେଁ ଆନ୍ତର୍ଜାତିକସ୍ତରରେ ବିଜ୍ଞାପନ ଡ଼ିଜିଟାଲ ମଞ୍ଚମୁହାଁ ହୋଇଥିବା ଏବଂ ସେଥିରୁ ସିଂହଭାଗ ‘ଗୁଗୁଲ’କୁ ଯାଉଥିବା ସର୍ବଜନବିଦିତ ।

 

ସୃଜନ କୃତ୍ରିମ ବୁଦ୍ଧିମତ୍ତା ଅଭିଯାନ ଶିକ୍ଷା, ଆଇନ, ସ୍ୱାସ୍ଥ୍ୟସେବା, କମ୍ପ୍ୟୁଟର ପ୍ରୋଗ୍ରାମିଂ ଭଳି କେତେକ କ୍ଷେତ୍ରରେ ତୁରନ୍ତ ବ୍ୟାପକ ପରିବର୍ତ୍ତନ ଆଣିବା ଆକଳନ କରାଯାଉଛି । ଶିକ୍ଷାକ୍ଷେତ୍ରରେ ବିଦ୍ୟାଳୟରେ ହୋମୱାର୍କ ଠାରୁ ଆରମ୍ଭ କରି ଉଚ୍ଚତର ଉପାଧି ପରୀକ୍ଷା ନିମନ୍ତେ ସନ୍ଦର୍ଭ ପ୍ରସ୍ତୁତି ବିଭିନ୍ନ ପର୍ଯ୍ୟାୟରେ ପ୍ରଚଳିତ ଭାଷା ପ୍ରକ୍ରିୟାକରଣ ପଦ୍ଧତି ଉପଯୋଗ ପାଠ୍ୟକ୍ରମ, ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣରେ ନୂତନ ଆଙ୍ଗିକ ସୃଷ୍ଟି ସୁସ୍ପଷ୍ଟ । ସେହିପରି ରୋଗୀର ସ୍ୱାସ୍ଥ୍ୟ ଇତିହାସ ଓ ନିଦାନ ବିବରଣୀ ଅନୁଶୀଳନରେ ଉନ୍ନତ ଚ଼ିକିତ୍ସା ପରାମର୍ଶ ଗ୍ରହଣ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତି ସଂଭବପର । ଜଟିଳ ଆଇନଗତ ସମସ୍ୟା ପୂର୍ବ-ପ୍ରଦତ୍ତ ଅଦାଲତ ରାୟଗୁଡ଼ିକ ଆଧାରରେ ସମୀକ୍ଷା ଓ ନିଷ୍ପତ୍ତି ଗ୍ରହଣକୁ ପ୍ରଭାବିତ କରିପାରିବ । ଭାରତୀୟ ଅଦାଲତଗୁଡ଼ିକରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ମମଲାଗୁଡ଼ିକର ଆପୋଷ ସମାଧାନ ନିମନ୍ତେ ଏହିଭଳି ବୈଷୟିକ କୌଶଳ ଉର୍ବର ଉପତ୍ୟକା ସୃଷ୍ଟି ଆଶା କରାଯାଇପାରେ ।

 

ସୃଜନ କୃତ୍ରିମ ବୁଦ୍ଧିମତ୍ତା ଅଭିଯାନରେ ଓଡ଼ିଆ ମୂଳରୁ ସାମିଲ ହେବା ନିମନ୍ତେ ଉଭୟ କେନ୍ଦ୍ର ସରକାରଙ୍କ ପ୍ରଣୀତ ‘ଭାଷୀଣି’ ଓ ଗୁଗୁଲର ପ୍ରସ୍ତାବିତ ‘ଲାଙ୍ଗୁଏଜ ମଡ଼େଲ ଫର ଡ଼ାଏଲଗ ଆପ୍ଳିକେସେନ୍ସ’ ବୈଷୟିକ କୌଶଳ ଉଚ୍ଚକୋଟୀର ଅନୁବାଦ ସୁବିଧା ୨୦୨୩ ବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହେବା ଆଶା କରାଯାଏ । ଅର୍ଥାତ, ଇଂଲିଶ ଭାଷାରେ ଡ଼ିଜିଟାଲ ମଞ୍ଚରେ ପ୍ରସ୍ତୁତ ରଚନାବଳୀ ଅନାୟସରେ ଓଡ଼ିଆକୁ ଅନୁବାଦ କିମ୍ୱା ଓଡ଼ିଆରୁ ଇଂଲିଶ ବା ଅନ୍ୟାନ୍ୟ ଶହେ ସରିକି ଭାଷାକୁ ଅନୁବାଦ ସଂଭବ ହୋଇପାରିବ । ପ୍ରଚଳିତ ଅନୁବାଦର ଗୁଣବତ୍ତା କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ବୃଦ୍ଧି ପାଇବ । ଏହି ପରିବେଶ ରାଜ୍ୟର ଜ୍ଞାନ ଗ୍ରହଣ ଓ ପ୍ରସାର କ୍ଷେତ୍ରରେ ଅନ୍ତର୍ଜାତିକସ୍ତରକୁ ଉନ୍ନୀତ ହେବା ପଥ ସୁଗମ କରିବ । ସବୁଠାରୁ ବଡ଼ କଥା ହେଲା ପାଠ୍ୟ ସାଙ୍ଗକୁ ଶ୍ରାବ୍ୟ ‘ଭଏସ’ ଓ ଦୃଶ୍ୟ ‘ଭିଡ଼ିଓ’ରେ ମଧ୍ୟ ଏହି ଅନୁବାଦ ବ୍ୟବସ୍ଥା କ୍ରମବିକଶିତ ହେବା ଯୋଜନା ରହିଛି ।

 

ମହାମାରୀ-ପର କମ୍ପ୍ୟୁଟିଂ ପରିବେଶରେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ଅଭିଯାନ ଯୁଗାନ୍ତକାରୀ ପରିବର୍ତ୍ତନର ପ୍ରତିଶୃତି ବହନ କରୁଥିବା ସଂପର୍କରେ ଦେଶବିଦେଶରେ ବିଶେଷଜ୍ଞମାନେ ଏକମତ । ତେବେ ଓଡ଼ିଶାର ସାଂସ୍କୃତିକ ପରିଧିରେ ପାରମ୍ପରିକ ବିଶ୍ୱାସ ଏଭଳି ନୂତନ ବୈଷୟିକ କୌଶଳକୁ ଆଲିଙ୍ଗନ କରିବା ନିମନ୍ତେ କେତେ ଦୂର ଆଗେଇ ଆସିବ, ତାହା ଏକ ପ୍ରଶ୍ନ । ଭାଷା, ସାହିତ୍ୟ ଓ ଗଣମାଧ୍ୟମରେ ନୂତନତ୍ୱ ପରିପ୍ରକାଶ ନିମନ୍ତେ ସରକାରୀସ୍ତରରେ ପରିଚାଳିତ ଓଡ଼ିଆ ସାହିତ୍ୟ ଏକାଡ଼େମୀ, ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ, ଓଡ଼ିଶା ଲଳିତକଳା ଏକାଡ଼େମୀ, ଓଡ଼ିଶା ଚଳଚ଼ିତ୍ର ଉନ୍ନୟନ ନିଗମ, ବିଶ୍ୱବିଦ୍ୟାଳୟସ୍ତରର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, କମ୍ପ୍ୟୁଟର ଓ ଗଣଯୋଗାଯୋଗ ବିଭାଗ ସମୂହରେ ଏଥି ନେଇ ଯେଉଁ ଉନ୍ମୋଦନା ଆଶା କରାଯିବା କଥା ତାହା ପ୍ରାୟତଃ ଶୂନ୍ୟ । ଓଡ଼ିଶା ଭର୍ଚୁଆଲ ଏକାଡ଼େମୀର ସତ୍ତା ଖୋଜି ପାଇ ହୁଏନି । ରାଜନୀତିକସ୍ତରରେ ଆଞ୍ଚଳିକ ଭାଷା ଭିତ୍ତିରେ ସ୍ୱାତନ୍ତ୍ର୍ୟ ଦାବୀ ଅନୁବାଦ ବୈଷୟିକ କୌଶଳ ବିକାଶରେ ଅର୍ଥହୀନ ହୋଇପଡ଼ିବା ସୁସ୍ପଷ୍ଟ । ଅବଶ୍ୟ ପ୍ରଦ୍ୟୋଗୀକି ବିକାଶର ପ୍ରାକୃତିକ ଧାରା ଯେ ଅନମନୀୟ ଏବଂ ଓଡ଼ିଆ ଭାଷା ସେହି ପ୍ରବାହରେ ସମୃଦ୍ଧ ଭବିଷ୍ୟତ ଦ୍ୱାରଦେଶରେ ଉପନୀତ, ଏଥିରେ ସନ୍ଦେହ ନାହିଁ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୭ ଫେବୃୟାରୀ ୨୦୨୩


ତଥ୍ୟ:

 

Das Gupta, Surajeet. Amid ChatGPT revolution, govt to upgrade INDIAai. Business Standard (Bhubaneswar Edition). February 13, 2023

 

Balakrishnan, Ajit. ChatGPT : Driving the world berserk ? Business Standard (Bhubaneswar Edition). February 13, 2023

 

Challenging Google (Editorial) Business Standard (Bhuabaneswar Edition). February 13, 2023

ସମ୍ୱାଦ ରଚନାରେ କୃତ୍ରିମ ବୁଦ୍ଧିମତ୍ତା 

ବିଶ୍ୱବ୍ୟାପୀ ସାମ୍ୱାଦିକତା କରୋନା ଭୂତାଣୁଜନିତ ମହାମାରୀ ଦୁର୍ଦ୍ଦଶା କବଳରୁ ୨୦୨୩ ଚ଼ତୁର୍ଥ ବର୍ଷରେ ସ୍ୱାଭାବିକ ସ୍ଥିତାବସ୍ଥାକୁ ଫେରୁଥିବା ଅବସରରେ ବୈଷୟିକ କ୍ଷେତ୍ରରେ ପ୍ରଗତି ପୁନର୍ବାର ଆହ୍ୱାନର ସମ୍ମୁଖୀନ କରାଇଥିବା ପ୍ରତୀୟମାନ ହୁଏ । ମୁଖ୍ୟତଃ ୨୦୨୩ ଆରମ୍ଭରୁ ସୃଜନ କୃତ୍ରିମ ବୁଦ୍ଧିମତା ‘ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଓପନ-ଏଆଇ ପ୍ରଯୋଜିତ ‘ଚାଟ ଜିପିଟି’ ଓ ଗୁଗୁଲ ପ୍ରଯୋଜିତ ‘ବାର୍ଡ’ ସାର୍ବଜନୀନ ବ୍ୟବହାର ନିମନ୍ତେ ଉନ୍ମୁକ୍ତ ପରିବେଶ ସୃଜନ ‘କ୍ରିଏଟିଭିଟି’ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି କରିଛି । ଏହି ପ୍ରବାହରେ ସାମ୍ୱାଦିକତାର ମୂଳ ଉତ୍ସ ସୃଜନ ‘କଣ୍ଟେଣ୍ଟ’ ଉଭୟ ପାଠ୍ୟ ଓ ଦୃଶ୍ୟଶ୍ରାବ୍ୟ ପ୍ରଭାବିତ ହେବା ସୁସ୍ପଷ୍ଟ । ବିଭିନ୍ନ ସମ୍ଭାବନା ମଧ୍ୟରେ ସମ୍ୱାଦ ରଚ଼ନାରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ ଗଣମାଧ୍ୟମ ପରିସରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।

 

ଡ଼ିଜିଟାଲ ସମ୍ୱାଦ ମଞ୍ଚ, ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ସମ୍ୱାଦ ଚ୍ୟାନେଲଗୁଡ଼ିକରେ ଚାଟ-ଜିପିଟି, ବାର୍ଡ, ଡେଲ-ଇ୨ ଭଳି ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ସମ୍ୱାଦ ରଚ଼ନା ଓ ଚ଼ିତ୍ରାଙ୍କନ ସୁବିଧା ସୁଯୋଗ କ୍ରମଶଃ ଉପଲବ୍ଧ । ପ୍ରାଥମିକସ୍ତରରେ ଚାଟ-ଜିପିଟି ଚାଟ-ବଟରେ ପ୍ରଶ୍ନ ଆକାରରେ ଅନୁସନ୍ଧାନ କଲେ, କ୍ଷଣିକ ମଧ୍ୟରେ ଇଂଲିଶ ଭାଷାରେ ଉତ୍ତର ଲିଖିତ ଆକାରରେ ଉପସ୍ଥାପିତ ହୋଇପାରୁଛି । ଇଂଲିଶ ଭାଷାରୁ ଓଡ଼ିଆ ସମେତ ଅନ୍ୟାନ୍ୟ ଭାଷାକୁ ଅନୁବାଦଲାଗି ସଫଟୱେର ବ୍ୟାବହାରିକସ୍ତରରେ ପହଞ୍ଚି ସାରିଲାଣି । ଗୁଗୁଲ ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୨୩ ଶେଷ ସୁଦ୍ଧା ଓଡ଼ିଆ ସମେତ ପ୍ରାୟ ଶହେ ଗୋଟି ଭାରତୀୟ ଭାଷା ଓ ଉପଭାଷାରେ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗରେ ଉନ୍ନତମାନର ଅନୁବାଦ ବ୍ୟବସ୍ଥା ନିମନ୍ତେ ବାଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଟିଉଟ ଅଫ ସାଇନ୍ସ ସୌଜନ୍ୟରେ ସଫଟୱେର ବିକାଶ କରିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଯୋଜିତ ବହୁଭାଷୀ ଅନୁବାଦ ପ୍ରକଳ୍ପ ‘ଭାଷିଣୀ’ ମଧ୍ୟ ସେହି ଦିଗରେ କାର୍ଯ୍ୟରତ । ଅତଏବ ‘ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଉପଯୋଗରେ ସମ୍ୱାଦ ରଚ଼ନା କ୍ଷେତ୍ରରେ ଯାହା ସୁବିଧା ସୁଯୋଗ ସୃଷ୍ଟି ହେବ, ତାହା ଓଡ଼ିଆଭାଷାକୁ ମଧ୍ୟ ପ୍ରଭାବିତ କରିପାରିବ ।

 

ଫ୍ରାନ୍ସିସ୍କୋ ମାର୍କୋନୀ ନାମକ ଜଣେ ମାର୍କିନ ସାମ୍ୱାଦିକ-ଉଦ୍ୟୋଗୀଙ୍କ ଦ୍ୱାରା ପରିଚାଳିତ ‘ଏପ୍ଳାଏଡ଼-ଏକ୍ସଏଲ’ ସାମ୍ୱାଦିକତାରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗ ସମ୍ୱଳିତ ଉତ୍ପାଦ ଓ ସେବା ଯୋଗାଇଥାଏ । ଏହି କ୍ଷେତ୍ରରେ ତାଙ୍କରି ଦୀର୍ଘ ଅଭିଜ୍ଞତା ରହିଛି । ପୂର୍ବରୁ ସେ ‘ଦି ୱାଲ ଷ୍ଟ୍ରୀଟ ଜର୍ଣ୍ଣାଲ’ ଓ ‘ଏସୋସିଏଟେଡ଼ ପ୍ରେସ’ରେ କାର୍ଯ୍ୟ କରୁଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ କେତେକ ବିଶେଷଜ୍ଞଙ୍କ ଆକଳନରେ ୨୦୨୬ ସୁଦ୍ଧା ବିଶ୍ୱରେ ଅନଲାଇନ ପରିବେଶରେ ଉପଲବ୍ଧ ସୃଜନ ‘କଣ୍ଟେଣ୍ଟ’ ମଧ୍ୟରେ ୯୦ ପ୍ରତିଶତ ଯନ୍ତ୍ର-ଉତ୍ପାଦିତ-ସୃଜନ ‘ମେସିନ-ଜେନେରେଟଡ଼-କଣ୍ଟେଣ୍ଟ’ ପର୍ଯ୍ୟାୟଭୁକ୍ତ ହେବ । ଅର୍ଥାତ, କ’ଣ ଅନଲାଇନରେ ଆମେ ଯାହା ପାଇବା ପ୍ରାୟ ସବୁତକ ଚାଟ-ଜିପିଟି, ବାର୍ଡ ବା ଡେଲ-ଇ ୨ ଭଳି ସଫଟୱେର ଦ୍ୱାରା ପ୍ରସ୍ତୁତ ହୋଇଥିବ ? ଓଡ଼ିଆ ଭାଷାର ଅନଲାଇନ ପରିବେଶ ମଧ୍ୟ ସମଧାରାରେ ଗତି କରିବ ?

 

ମାର୍କୋନୀ ‘ନିଉଜମେକରର୍ସ : ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଏଣ୍ଡ ଦି ଫିଉଚ଼ର ଅଫ ଜର୍ଣ୍ଣାଲିଜମ’ ଶୀର୍ଷକ ଏକ ପୁସ୍ତକ ରଚ଼ନା କରିଛନ୍ତି । କଲମ୍ୱିଆ ୟୁନିଭରସିଟି ପ୍ରେସ ଦ୍ୱାରା ୨୦୨୦ରେ ଏହା ପ୍ରକାଶିତ । ମାର୍କୋନୀଙ୍କ ବିଚାରରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସକୁ ବିଭିନ୍ନ ବର୍ଗ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ବୁଝିଥାନ୍ତି । କମ୍ପ୍ୟୁଟର ବିଜ୍ଞାନୀମାନେ ଏହାକୁ ମନୁଷ୍ୟଭଳି ଚ଼ିନ୍ତା କରିପାରୁଥିବା ଏକ ଆଲଗୋରିଥିମ ରୂପେ ଗ୍ରହଣ କରୁଥିବା ବେଳେ ବାୟୋ-ଇଞ୍ଜିନିୟରମାନଙ୍କ ଲାଗି ପରୀକ୍ଷାଗାରରେ ମସ୍ତିସ୍କ କୋଷ ଉତ୍ପାଦନ ‘ଗ୍ରୋଇଁ ବ୍ରେନ ସେଲସ ଇନ ଏ ଲେବରେଟରୀ’ ବୋଧ ହୋଇଥାଏ । ସାମ୍ୱାଦିକତାରେ କୃତ୍ରିମ ବୁଦ୍ଧିମତ୍ତା ମନୁଷ୍ୟ ଓ ଯନ୍ତ୍ର ‘ମେସିନ’ର ମିଳିତ ଉଦ୍ୟମରେ ପ୍ରସ୍ତୁତ ସୃଜନକୁ ବୁଝାଇବ ।

 

ମାର୍କୋନୀଙ୍କ ଭାଷାରେ ସମ୍ୱାଦ-କକ୍ଷ ‘ନିଉଜ-ରୁମ’ଗୁଡ଼ିକରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ପ୍ରବେଶ ସାମ୍ୱାଦିକମାନଙ୍କୁ ସମ୍ୱାଦ ପ୍ରଯୋଜନାରେ ସହାୟତା ଯୋଗାଇବ । କ୍ରମବର୍ଦ୍ଧିଷ୍ଣୁ ସମ୍ୱାଦ ମଞ୍ଚ ପରିବେଶ ସମ୍ୱାଦର ଗୁଣବତ୍ତା ବୃଦ୍ଧି ପ୍ରତି ଗୁରୁତ୍ୱାରୋପ କରୁଛି । ସମ୍ୱାଦଟିଏ ପ୍ରସ୍ତୁତ କରିବା ନିମନ୍ତେ ବ୍ୟାପକ ଗବେଷଣା ଓ ବହୁ ପରିମାଣରେ ତଥ୍ୟ ଅନୁଶୀଳନର ଆବଶ୍ୟକତା ପଡୁଛି । ଏହି କାର୍ଯ୍ୟଗୁଡ଼ିକୁ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ସହଜରେ କମ ସମୟରେ ସମ୍ପନ୍ନ କରାଯାଇପାରିବ । ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ପ୍ରୟୋଗରେ ସଂପୂର୍ଣ୍ଣ ସମ୍ୱାଦ ରଚନା ବଦଳରେ ସାମ୍ୱାଦିକଙ୍କୁ ଉନ୍ନତମାନର ସମ୍ୱାଦ ରଚନା ନିମନ୍ତେ ପଥ ଉନ୍ମୁକ୍ତ ହେବ ।

 

ବ୍ରିଟେନର ‘ଲଣ୍ଡନ ସ୍କୁଲ ଅଫ ଇକନୋମିକ୍ସ’ ଆନୁକୂଲ୍ୟରେ ପରିଚାଳିତ ସାମ୍ୱାଦିକତା ଚ଼ିନ୍ତନ ମଞ୍ଚ ‘ଜର୍ଣ୍ଣାଲିଜମ-ଏଆଇ’ର ଅଧ୍ୟକ୍ଷ ପ୍ରଫେସର ଚାର୍ଲି ବେକେଟ ସାମ୍ୱାଦିକତାରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ ସଂପର୍କରେ ଗବେଷଣାରେ ଦୀର୍ଘ ସମୟ ବିନିଯୋଗ କରିଛନ୍ତି । ସେ କହନ୍ତି ଯେ ପ୍ରଥମତଃ, ସାମ୍ୱାଦିକତାରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗର ଭବିଷ୍ୟତ ଅସ୍ପଷ୍ଟ । ତେବେ ପରିବର୍ତ୍ତନ ସ୍ୱତଃସିଦ୍ଧ ଏବଂ ସମ୍ୱାଦ ପ୍ରଯୋଜନା ତଥା ଆହରଣ ଦିଗରେ ଗଭୀର ପ୍ରଭାବ ପକାଇବ । ଦ୍ୱିତୀୟତଃ, ମହାମାରୀ-ପର ପରିବେଶରେ ବିଭିନ୍ନ କାରଣରୁ ସମ୍ୱାଦ ଶିଳ୍ପ ବିଘଟନର ଶୀକାର ହୋଇଥିବା ସ୍ଥଳେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଶୁଭଙ୍କରୀ ସାବ୍ୟସ୍ତ ହେବ । ତୃତୀୟତଃ, ସମକାଳରେ ଅସତ୍ୟ, ଅତିରଞ୍ଜିତ ଓ ପ୍ରାୟୋଜିତ ସମ୍ୱାଦ ଗଣମାଧ୍ୟମ ଉପତ୍ୟକାକୁ ଭରାକ୍ରାନ୍ତ କରିଥିବା ଅବସରରେ କୃତ୍ରିମ ବୁଦ୍ଧିମତ୍ତା ଉପଭୋକ୍ତାଙ୍କୁ ଉଚ଼ିତ ସମ୍ୱାଦ ଖୋଜି ବାହାର କରିବାରେ ସହାୟକ ହେବ ।

 

ବେକେଟଙ୍କ ତତ୍ତ୍ୱାବଧାନରେ ଆନ୍ତର୍ଜାତିକସ୍ତରରେ ୩୨ ଗୋଟି ରାଷ୍ଟ୍ରର ୭୧ ଗୋଟି ସମ୍ୱାଦ ମଞ୍ଚରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇ ବିଶ୍ଳେଷଣ କରାଯାଇଥିଲା । ବେକେଟ ଦର୍ଶାଇଛନ୍ତି ଯେ ସମ୍ୱାଦ ରଚନା କ୍ଷେତ୍ରରେ ସାମ୍ୱାଦିକଙ୍କ ଭୂମିକା କ୍ଷୁର୍ଣ୍ଣ ହେବା ସଂଭାବନା କମ । ପାରମ୍ପରିକଭାବେ ସମ୍ୱାଦଦାତା ସମ୍ୱାଦ ରଚନା କରିବାପରେ ତାହା ବିଭିନ୍ନ ସ୍ତରରେ ସଂଶୋଧିତ ହୋଇ ପ୍ରକାଶିତ ହୋଇଥାଏ । କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ କୌଣସି ରଚନା ପ୍ରସ୍ତୁତ କାଳରେ ମଧ୍ୟ ସମଧରଣର ସମସ୍ୟା ଉପୁଜିବା ସ୍ୱାଭାବିକ ଏବଂ ସେଗୁଡ଼ିକର ମାନବ ସ୍ତରରେ ସମ୍ପାଦନା ଆବଶ୍ୟକ । ସୃଜନ ପ୍ରଶ୍ନ ଓ ସମ୍ପାଦନା କ୍ଷେତ୍ରରେ ମନୁଷ୍ୟର ଭୂମିକା ଏଡ଼ାଇଦେବା ସଂଭବ ନୁହଁ ।

 

ସମ୍ୱାଦ ରଚନାରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ ଅବସରରେ କେତେକ ସମସ୍ୟା ଚ଼ିହ୍ନଟ ହୋଇଥାଏ । ଏକ ପକ୍ଷରେ ଚାଟ-ଜିପିଟି ଭଳି ସୃଜନ କୃତ୍ରିମ ବୁଦ୍ଧିମତ୍ତା ସ୍ୱୟଂକ୍ରିୟ ଭାବେ ସୃଜନ ସୃଷ୍ଟି କରିପାରିବ ନାହିଁ । ଡ଼ିଜିଟାଲ ମଞ୍ଚରେ ପୂର୍ବ-ଗଚ୍ଛିତ ତଥ୍ୟକୁ ଭିତ୍ତିକରି ଏହିଭଳି ବୈଷୟିକ କୌଶଳ ରଚନା ପ୍ରସ୍ତୁତ କରିଥାଏ । ଅପରପକ୍ଷରେ ସମ୍ୱାଦ ମଞ୍ଚରେ ଚଳନ୍ତି ସମ୍ୱାଦ ପ୍ରବାହ ଅଗ୍ରାଧିକାର ପାଉଥିବା ଏବଂ ଏହି କ୍ଷେତ୍ରରେ ପୂର୍ବରୁ ତଥ୍ୟ ଗଚ୍ଛିତ ରଖିବା ସମ୍ଭବ ନଥିବା ହେତୁ ସୃଜନ କୃତ୍ରିମ ବୁଦ୍ଧିମତ୍ତାର କାର୍ଯ୍ୟକାରିତା ସୀମିତ ରହିବ । ଅବଶ୍ୟ ଚାଟ-ଜିପିଟି ଭଳି ପ୍ରଯୁକ୍ତି କୌଶଳ ସହଜରେ ଉପଲବ୍ଧ ହେଉଥିବା ଏବଂ ବ୍ୟବହାର ସରଳ ଥିବା କାରଣରୁ ଅତିକମ ସମୟ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଛି ।

 

ସମ୍ୱାଦ ରଚ଼ନା ସାଙ୍ଗକୁ ପ୍ରକାଶିତ ସମ୍ୱାଦ ଅନୁଶୀଳନରେ ଭବିଷ୍ୟତ ଘଟଣାକ୍ରମ ପୂର୍ବ-ନିର୍ଦ୍ଧାରଣ ଦିଗରେ ସୃଜନ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସାମ୍ୱାଦିକତାରେ ଏକ ନୂତନ ସମ୍ଭାବନାର ବାହକ । ସମ୍ୱାଦ ଉପଭୋକ୍ତା ମୋବାଇଲ, ୱେବ, ସେନସରଠାରୁ ସାଟେଲାଇଟ ଯାଏଁ ନିରନ୍ତର ସୂଚ଼ନା ସଂଗ୍ରହ କରିଚାଲିଥିବା ଅବସରରେ ସୃଷ୍ଟ ସୂଚ଼ନା-ପ୍ରାଚୁର୍ଯ୍ୟ ପରିବେଶରେ ବ୍ୟବହାରଯୋଗ୍ୟ ସମ୍ୱାଦ ଖୋଜି ବାହାର କରିବା ନିମନ୍ତେ ମଧ୍ୟ କୃତ୍ରିମ ବୁଦ୍ଧିମତ୍ତା ସହାୟକ ହେବା ଆଶା କରାଯାଇପାରେ । କୁହାଯାଉଛି ଯେ ମାନବ ସଭ୍ୟତାରେ ସମକାଳରେ ସର୍ବାଧିକ ସମ୍ୱାଦ ପ୍ରଯୋଜିତ ହେଉଛି ଏବଂ ନିକଟ ଭବିଷ୍ୟତରେ ଯଦି ଏଥିରୁ ବହୁସଂଖ୍ୟକ ଯାନ୍ତ୍ରିକ-ପଦ୍ଧତି ଉପଯୋଗରେ ପ୍ରସ୍ତୁତ ସମ୍ୱାଦ ଅନ୍ତର୍ଭୁକ୍ତ ହେବ, ତେବେ ସେଥି ମଧ୍ୟରୁ ପଠନଯୋଗ୍ୟ ବା ବ୍ୟବହାରଯୋଗ୍ୟ ସମ୍ୱାଦ ଖୋଜି ବାହାର କରିବା ନିମନ୍ତେ ଆମକୁ ବୈଷୟିକ ସହାୟତା ହିଁ ଗ୍ରହଣ କରିବାକୁ ପଡ଼ିବ ! 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୧ ମାର୍ଚ୍ଚ ୨୦୨୩


ତଥ୍ୟ:

 

Is ChatGPT threat or an opportunity for journalism ? Five AI experts weigh in

 

https://reutersinstitute.politics.ox.ac.uk/news/chatgpt-threat-or-opportunity-journalism-five-ai-experts-weigh

 

Newsmakers : Artificial Intelligence and the future of journalism

 

https://www.jstor.org/stable/10.7312/marc19136

 

The Journalism Report, London School of Economics, Department of Media and Communications

 

https://www.lse.ac.uk/media-and-communications/polis/JournalismAI/The-Report

ସ୍ଥାନୀୟ ସାମ୍ୱାଦିକତାରେ ଏଆଇ ଉପଯୋଗ 

ପାଶ୍ଚାତ୍ୟ-ଭୂଖଣ୍ଡର ବିକଶିତ ରାଷ୍ଟ୍ରଗୁଡ଼ିକରେ କୋଭିଡ଼-୧୯ ମହାମାରୀ-ପର ଅବସ୍ଥାରେ ସଂଖ୍ୟାଧିକ ସ୍ଥାନୀୟ ସମ୍ୱାଦ ମଞ୍ଚ ବନ୍ଦ ହୋଇପଡ଼ିଥିବା ଅବସରରେ ପ୍ରାଚ଼୍ୟ-ଭୂଖଣ୍ଡରେ ଅବକ୍ଷୟମୁଖୀ ସ୍ଥାନୀୟ ସାମ୍ୱାଦିକତାକୁ ପରିପୁଷ୍ଟ କରିବାଲାଗି ଉଦ୍ୟମ ଗୁରୁତ୍ୱ ବହନ କରେ । ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦୪ରୁ ୨୦୨୩ ଦୁଇ ଦଶକରେ ୨,୧୦୦ ମୁଦ୍ରିତ ସ୍ଥାନୀୟ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହୋଇଯାଇଛି ଓ ୧,୮୦୦ ଜନପଦରେ ସ୍ଥାନୀୟ ସମ୍ୱାଦ ମଞ୍ଚ ଅଭାବ ହିସାବ କରାଯାଇଛି । ଏହି ପରିପ୍ରେକ୍ଷୀରେ ୨୦୦୮ରୁ ୨୦୨୩ ମଧ୍ୟରେ ୬୦ ପ୍ରତିଶତ ସାମ୍ୱାଦିକ ପଦବୀ ହ୍ରାସ ପାଇଛି । ସମ୍ୱାଦ ଶିଳ୍ପରେ ଏହି ଦୁରବସ୍ଥା ଲାଗି ସମ୍ୱାଦ ସରବରାହରେ ବୈଷୟିକ ପ୍ରଗତି, ମୁଖ୍ୟତଃ ଡ଼ିଜିଟାଲ ମଞ୍ଚର ଆବିର୍ଭାବ ମୁଖ୍ୟ କାରଣ ରୂପେ ଚ଼ିହ୍ନଟ କରାଯାଏ ।

 

ସମ୍ୱାଦ ମଞ୍ଚଗୁଡ଼ିକର ବ୍ୟାବସାୟିକ ଢ଼ାଞ୍ଚା ବିଜ୍ଞାପନ ଆୟ ଦ୍ୱାରା ବିଗତ ଦୁଇ ଶହ ବର୍ଷ ଧରି ଋଦ୍ଧିମନ୍ତ ହୋଇଆସିଥିବା ସ୍ଥଳେ ସମକାଳରେ ବିଜ୍ଞାପନ ଅପସାରଣ ଧାରା ଦ୍ୱିତୀୟ କାରଣ ଏବଂ ଡ଼ିଜିଟାଲ ମଞ୍ଚରେ ସାମାଜିକ ଗଣମାଧ୍ୟମର ବ୍ୟାପ୍ତି ତଥା ସମ୍ୱାଦ ସରବରାହରେ ଉପଯୋଗ ତୃତୀୟ କାରଣ । ଗଭୀର-ସ୍ଥାନୀୟ ସମ୍ୱାଦ ପ୍ରକାଶନ ଓ ବିତରଣରେ ସାମାଜିକ ଗଣମାଧ୍ୟମ ସର୍ବାପେକ୍ଷା ପ୍ରଭାବଶାଳୀ ପ୍ରମାଣିତ । ବୃତ୍ତିଧାରୀ ସାମ୍ୱାଦିକଙ୍କ ସ୍ଥାନରେ ନାଗରିକ ସାମ୍ୱାଦିକଙ୍କ ଆବିର୍ଭାବ ଏବଂ ମୂଳସ୍ରୋତ ସମ୍ୱାଦ ମଞ୍ଚଗୁଡ଼ିକରେ ଅବହେଳା କରାଯାଉଥିବା ଜୀବନଜୀବିକା ଉପଯୋଗୀ ସମ୍ୱାଦ ପ୍ରସାରଣ ପାରମ୍ପରିକ ସମ୍ୱାଦମଞ୍ଚଗୁଡ଼ିକର ଭୂମିକାକୁ ଗୌଣ କରିପକାଉଛି ।

 

ଉଦାହରଣରେ ଏକ ପରିବାର, ଗୋଟିଏ ବସ୍ତି କିମ୍ୱା ଏକ ଅନୁଷ୍ଠାନର ସମ୍ୱାଦ ସଂପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ଉପଯୋଗୀ । ସାମାଜିକ ଗଣମାଧ୍ୟମ ସେହି ସମ୍ୱାଦ ପ୍ରସାରଲାଗି ଭିତ୍ତିଭୂମି ସୃଷ୍ଟିରେ ସମର୍ଥ । ପାରମ୍ପରିକ ସମ୍ୱାଦ ମଞ୍ଚରେ ଏକ ବିସ୍ତୃତ ପାଠକ, ଶ୍ରୋତା ବା ଦର୍ଶକ ମଣ୍ଡଳୀ ନିମନ୍ତେ ଏକକ ସମ୍ୱାଦ ପ୍ରଯୋଜନାକୁ ଗୁରୁତ୍ୱ ଦିଆଯାଇଥାଏ । ଅପରପକ୍ଷେ ସାମାଜିକ ଗଣମାଧ୍ୟମରେ ତାହାର ବିକଳ୍ପ ସୃଷ୍ଟି ହୋଇପାରିଥାଏ । ଉପଭୋକ୍ତା ନିଜ ରୁଚ଼ି, ଆଗ୍ରହ ଓ ଆବଶ୍ୟକତା ଉପଯୋଗୀ ସମ୍ୱାଦ ଅନ୍ୱେଷଣରେ ମୂଳସ୍ରୋତର ସମ୍ୱାଦ ମଞ୍ଚ ବଦଳରେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ପ୍ରତି ଆକର୍ଷିତ ହେଉଥିବା ଧାରା ବିକଶିତ ଓ ବିକାଶଶୀଳ ଉଭୟ ସ୍ତରରେ ସମଭାବେ ପ୍ରତିଫଳିତ ।

 

ଗଭୀର-ସ୍ଥାନୀୟ ସାମ୍ୱାଦିକତା ମୂଳସ୍ରୋତର ସମ୍ୱାଦ ମଞ୍ଚଗୁଡ଼ିକରେ ବିଭିନ୍ନ କାରଣରୁ ଅବହେଳା ଶୀକାର ହେଉଥିଲା । ଏକ ବୃହତ୍ତର ପାଠକ ଗୋଷ୍ଠୀଙ୍କ ପାଇଁ ସମ୍ୱାଦ ସଂସ୍କରଣ ପ୍ରସ୍ତୁତିରେ ସାମାନ୍ୟ ଘଟଣା ବା କ୍ଷୁଦ୍ରଗୋଷ୍ଠୀର ଉପଭୋକ୍ତା-କେନ୍ଦ୍ରୀକ ସମ୍ୱାଦ ପରିବେଷଣରେ ଅସମର୍ଥତା, ଗଭୀର-ସ୍ଥାନୀୟ ସମ୍ୱାଦ ପ୍ରଯୋଜନା ଲାଗି ଅର୍ଥବ୍ୟୟ ଓ ସୃଜନ ଶକ୍ତି ଅଭାବ ତିନି ପ୍ରମୁଖ କାରଣ । ସାମାଜିକ ଗଣମାଧ୍ୟମରେ ପ୍ରତିଟି କ୍ଷୁଦ୍ରାତିକ୍ଷୁଦ୍ର ବିଷୟଭିତ୍ତିକ ସ୍ୱତନ୍ତ୍ର ମଞ୍ଚ ସୃଷ୍ଟି, ଉପଭୋକ୍ତା ଏକତ୍ରୀକରଣ, ସୃଜନ ଓ ପରିବେଷଣ ବ୍ୟୟରହିତ । ଡ଼ିଜିଟାଲ ମଞ୍ଚରେ କ୍ଳାଉଡ଼ କମ୍ପ୍ୟୁଟିଂର ପ୍ରବେଶପରେ ସମ୍ୱାଦ ପ୍ରକାଶନ ନିମନ୍ତେ ଅପର୍ଯ୍ୟାପ୍ତ ସୁଯୋଗ ମୁଦ୍ରଣ ଶିଳ୍ପ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଯୁଗରେ ପ୍ରଚଳିତ ସମସ୍ତ ଯୋଗାଯୋଗ ବ୍ୟବସ୍ଥା ପରିସୀମାର ଅନ୍ତ ଘଟାଇବାରେ ସମର୍ଥ ହୋଇଛି ।

 

ବିଡ଼ମ୍ୱନାର ବିଷୟ ସାର୍ବଜନୀନ ସମ୍ୱାଦ ମଞ୍ଚ ପ୍ରଚଳନ ଲାଗି ସମସ୍ତ ବୈଷୟିକ ବିଭବ ବିକାଶ ସତ୍ତ୍ୱେ ସାମାଜିକ ଗଣମାଧ୍ୟମ ମଞ୍ଚ ଗୁଡ଼ିକରେ ପରିଚାଳନାଗତ ତୃଟି କୋଭିଡ଼-୧୯ ମହାମାରୀ-ପର ଅବସ୍ଥାରେ ବିଶ୍ୱବ୍ୟାପୀ ସମ୍ୱାଦ ସରବରାହ ବିଷାକ୍ତ ବଳୟ ପରିସରଭୁକ୍ତ ହେବାରେ ଲାଗିଛି । ସାମାଜିକ ଗଣମାଧ୍ୟମ ମଞ୍ଚର ପରିଚାଳକଗଣ ବିଜ୍ଞାପନ ଓ ପ୍ରାୟୋଜିତ ଉପାଦାନ ବିତରଣ ପ୍ରତି ଅଗ୍ରାଧୀକାର ଦେଉଥିବା ହେତୁ ସାଧାରଣ ଉପଭୋକ୍ତାଙ୍କ ଉପାଦାନ ପ୍ରକାଶନ କ୍ରମଶଃ ଗୌଣ ପର୍ଯ୍ୟାୟକୁ ଖସି ଆସୁଛି । ସାମାଜିକ ଗଣମାଧ୍ୟମ ପ୍ରବକ୍ତା ‘ଇନଫ୍ଳୁଏନସର’ମାନଙ୍କ ମାଧ୍ୟମରେ ଘରକରଣା ଜିନିଷପତ୍ରଠାରୁ ଆରମ୍ଭ କରି ରାଜନୀତିକ ଓ ଧାର୍ମିକ ମତବାଦ ଯାଏଁ ସମସ୍ତ ବିଷୟର ଚର୍ଚ୍ଚା ବାରମ୍ୱାର ପ୍ରଦର୍ଶନ ଉପଭୋକ୍ତାଙ୍କ ପୃଷ୍ଠାରେ ପ୍ରତିଧ୍ୱନିତ ହେବାରେ ଲାଗିଛି । ଫଳରେ ସାମାଜିକ ଗଣମାଧ୍ୟମ ସ୍ଥାନୀୟ ସମ୍ୱାଦ ସରବରାହରୁ କ୍ରମଶଃ ଦୂରେଇ ଯାଉଛି ।

 

କୋଭିଡ଼-୧୯ ମହାମାରୀ-ପର ଅବସ୍ଥାରେ ଏତାଦୃଶ ସଂଘର୍ଷପୂର୍ଣ୍ଣ ପରିବେଶରେ ସ୍ଥାନୀୟ ସମ୍ୱାଦ ପ୍ରସାରଣ ସୁରକ୍ଷା ଦିଗରେ ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଉଭୟସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି । ଇତ୍ୟବସରରେ ୨୦୨୨ ଶେଷ ପାଦରେ ‘ଓପନ-ଏଆଇ’ ପକ୍ଷରୁ ସୃଜନ କୃତ୍ରିମ ବୁଦ୍ଧିମତ୍ତା ‘ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ସାର୍ବଜନୀନ ବ୍ୟବହାରଯୋଗ୍ୟ ବୈଷୟିକ କୌଶଳ ରୂପେ ଆତ୍ମପ୍ରକାଶ ଏବଂ କମ ସମୟ ବ୍ୟବଧାନରେ ବହୁ ଅନୁଗାମୀଙ୍କ ଆବିର୍ଭାବ ସମ୍ୱାଦ ମଞ୍ଚଗୁଡ଼ିକୁ କିଭଳି ପ୍ରଭାବିତ କରିବ, ସେଦିଗରେ କଳ୍ପନା-ଜଳ୍ପନା ଲାଗି ରହିଥିଲା । ସମ୍ୱାଦ ରଚନାରେ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର ସାମ୍ୱାଦିକତା ବୃତ୍ତିଲାଗି ବିପଦପୂର୍ଣ୍ଣ ଆକଳନ କରାଯାଇଆସିଥିଲା । ଏହି ପ୍ରଯୁକ୍ତି ବିଦ୍ୟା ପ୍ରକାଶନର ଆଠମାସରେ ଯୁକ୍ତରାଷ୍ଟ୍ର ଆମେରିକାରେ ଗୁଗୁଲ ପକ୍ଷରୁ ବୃହତ ସମ୍ୱାଦ ମଞ୍ଚ ଓ ଓପନ-ଏଆଇ ପକ୍ଷରୁ କ୍ଷୁଦ୍ର ଡ଼ିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକୁ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗଜନିତ ପରୀକ୍ଷା ନିରୀକ୍ଷା କରିବାଲାଗି ରାଜି କରାଇଥିବା ଏକ ଉଲ୍ଲେଖନୀୟ ଘଟଣା ।

 

ଯୁକ୍ତରାଷ୍ଟ୍ର ଆମେରିକାରେ ୱାଶିଂଟନ-କେନ୍ଦ୍ରୀକ ‘ଆମେରିକାନ ଜର୍ଣ୍ଣାଲିଜମ ପ୍ରୋଜେକ୍ଟ’ ନାମିତ ଏକ ଅଣ-ବ୍ୟାବସାୟିକ ସଂଗଠନ ୨୦୧୯ରେ ପ୍ରତିଷ୍ଠା ହୋଇଥିଲା । ଆମେରିକାରେ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକୁ ଆର୍ଥିକ ନିବେଶ ମାଧ୍ୟମରେ ସୁରକ୍ଷା ଯୋଗାଇବା ଏହି ପ୍ରକଳ୍ପର ଲକ୍ଷ୍ୟ । ଡିଜିଟାଲ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକ କିପରି ବ୍ୟାବସାୟିକସ୍ତରରେ ସ୍ୱାବଲମ୍ୱୀ ହୋଇପାରିବେ, ସେହି ଦିଗରେ ବିଭିନ୍ନ ପରୀକ୍ଷାମୂଳକ ଉଦ୍ୟମକୁ ସହାୟତା ପ୍ରଦାନ କରିଥାଏ । ସୃଜନ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଅଗ୍ରଣୀ ପ୍ରତିଷ୍ଠାନ ‘ଓପନ-ଏଆଇ’ ମଧ୍ୟ ଏକ ଅଣ-ବ୍ୟାବସାୟିକ ପରିଚାଳନାଧୀନ ଉପକ୍ରମ । ‘ଓପନ-ଏଆଇ’ ପକ୍ଷରୁ ‘ଆମେରିକାନ ଜର୍ଣ୍ଣାଲିଜମ ପ୍ରୋଜେକ୍ଟ’ ମାଧ୍ୟମରେ ୩୭ କୋଟି ୫୦ ଲକ୍ଷ ଟଙ୍କା ୪୧ ଗୋଟି ସ୍ଥାନୀୟ ସମ୍ୱାଦ ମଞ୍ଚରେ ଦକ୍ଷତା ବୃଦ୍ଧି ନିମନ୍ତେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ପରୀକ୍ଷା ନିରୀକ୍ଷା ନିମନ୍ତେ ଜୁଲାଇ ୨୦୨୩ରେ ସ୍ଥିରୀକୃତ ହୋଇଛି ।

 

କୁହାଯାଉଛି ଯେ ଏହି ପ୍ରକଳ୍ପ ମାଧ୍ୟମରେ ନୂତନ ବୈଷୟିକ କୌଶଳ ବ୍ୟବହାରରେ ସାର୍ବଜନୀନ ତଥ୍ୟର ଯାନ୍ତ୍ରିକ ବିଶ୍ଳେଷଣରେ ସମ୍ୱାଦ ପ୍ରସ୍ତୁତି, ସମ୍ୱାଦ ପ୍ରସାରଣଲାଗି ନୂତନ ଆଙ୍ଗିକ ବିକାଶ ଓ ସମ୍ୱାଦ ଉପଭୋକ୍ତାଙ୍କ ରୁଚି ଅନୁଯାୟୀ ବ୍ୟକ୍ତିକେନ୍ଦ୍ରୀକ ସଂସ୍କରଣ ପ୍ରସ୍ତୁତି ଭଳି ଉନ୍ମେଷମୁଖୀ ଧାରା ପରୀକ୍ଷା କରାଯିବ । ବିସ୍ତୃତ ରୂପେ ବର୍ଣ୍ଣନା କଲେ, ଏକ ସହରର ପୌରପାଳିକା ପକ୍ଷରୁ ନଗରବାସୀଠାରୁ କେଉଁ ପରିମାଣରେ ଟିକସ ଆଦାୟ କରାଯାଉଛି ଏବଂ ସେଥିରୁ ସଂପୃକ୍ତ ନାଗରିକ କ’ଣ ସୁବିଧା ପାଉଛି ତାହାର ବିବରଣୀ କୃତ୍ରିମ ବୁଦ୍ଧିମତ୍ତା ସାର୍ବଜନୀନ ତଥ୍ୟ ବିଶ୍ଳେଷଣରୁ ଜାଣିପାରିବ ଏବଂ ସେହି ବିବରଣୀ ଆଧାରରେ ସମ୍ୱାଦ ପ୍ରସ୍ତୁତି ହୋଇପାରିବ ।

 

ସେହିପରି ସମ୍ୱାଦ ଉପଭୋକ୍ତାଙ୍କ ସମ୍ୱାଦ ଆହରଣ ଶୈଳୀ କ୍ରମଶଃ ବଦଳିବାରେ ଲାଗିଛି । ଉଦାହରଣରେ ଓଡ଼ିଶାରେ ଏକାଧିକ ସମ୍ୱାଦପତ୍ର ଓ ଟେଲିଭିଜନ ଚ୍ୟାନେଲ ଆହରଣ କରୁଥିବା ଉପଭୋକ୍ତାମାନେ ଫେସବୁକ ଓ ଟୁଇଟର ଭଳି ସାମାଜିକ ଗଣମାଧ୍ୟମରେ ସ୍ଥାନୀୟ ଟେଲିଭିଜନ ଚ୍ୟାନେଲ ପକ୍ଷରୁ ସ୍ଥାନିତ ଦୁଇ ମିନଟର ମୁଖ୍ୟ ସମ୍ୱାଦ ଦିନରେ ଏକାଧିକ ବାର ଦେଖି ରାତିରେ ଟେଲିଭିଜନ ବିତର୍କ ବା ୟୁଟ୍ୟୁବ ଅନୁଶୀଳନ ଦେଖିବାକୁ ପସନ୍ଦ କରୁଛନ୍ତି । ଗ୍ରାମାଞ୍ଚଳର ଜଣେ ଅଶିକ୍ଷିତ ଉପଭୋକ୍ତା ବି ନିଜ ରୁଚି ଅନୁଯାୟୀ କାର୍ଯ୍ୟକ୍ରମ ଆହରଣ ଲାଗି ୟୁଟ୍ୟୁବ ଭଳି ଷ୍ଟ୍ରୀମିଂ ମଞ୍ଚରେ ପହଞ୍ଚୁଛି । ପ୍ରତ୍ୟେକ ଉପଭୋକ୍ତାଙ୍କ ରୁଚ଼ି ଅନୁଯାୟୀ ଅସଂଖ୍ୟ ସମ୍ୱାଦ ସଂସ୍କରଣ ପ୍ରସ୍ତୁତିରେ କୃତ୍ରିମ ବୁଦ୍ଧିମତ୍ତା ସହାୟତା ପ୍ରଦାନ କରିପାରିବ ।

 

‘ଆମେରିକାନ ଜର୍ଣ୍ଣାଲିଜମ ପ୍ରୋଜେକ୍ଟ’ରେ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକ ‘ଓପନ-ଏଆଇ’ଅନୁଦାନରେ ଭିତ୍ତିଭୂମି ପ୍ରସ୍ତୁତି ଓ ପରୀକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜନରେ ବିନିଯୋଗ କରିବେ । ‘ଓପନ-ଏଆଇ’ର ବିଶେଷଜ୍ଞମାନଙ୍କ ସହ ସିଧାସଳଖ ସଂପର୍କ ରହିବ ଏବଂ ନୂତନ ପ୍ରଯୁକ୍ତି କୌଶଳକୁ ବାସ୍ତବ କ୍ଷେତ୍ରରେ କିପରି ଉପଯୋଗ କରାଯାଇପାରିବ ସେହି ଦିଗରେ ପରାମର୍ଶ ଗ୍ରହଣ କରିପାରିବେ । ଏହି କ୍ଷେତ୍ରରେ ସଫଳତା ସାମ୍ୱାଦିକତା, ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ବର୍ଗର ସମ୍ୱାଦ ମଞ୍ଚଗୁଡ଼ିକୁ ପ୍ରଭାବିତ କରିବା ଆଶା କରାଯାଉଛି । ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ବୃହତ ଶ୍ରମଶକ୍ତି ଓ ବ୍ୟାପକ ଆର୍ଥିକ ନିବେଶ ଆବଶ୍ୟକ କରୁଥିବା ସ୍ଥଳେ ପ୍ରଯୁକ୍ତି କୌଶଳ ଉପଯୋଗରେ କିପରି ସେହି ଦୁଇ ପ୍ରତିବନ୍ଧକକୁ ଏଡ଼ାଇ ଦିଆଯାଇପାରିବ, ସେହି ଦିଗରେ ଉଦ୍ୟମ ସ୍ୱାଗତଯୋଗ୍ୟ । ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ସ୍ୱାଧୀନ ସାମ୍ୱାଦିକତା, ଅର୍ଥାତ ବ୍ୟକ୍ତିକେନ୍ଦ୍ରୀକ ସାମ୍ୱାଦିକତା ମୁଣ୍ଡ ଟେକୁଥିବା ଅବସରରେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ସହଯୋଗ କରିବା ଆଶା କରାଯାଇପାରେ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୮ ଜୁଲାଇ ୨୦୨୩


ଭିଡ଼ିଓ : ସ୍ଥାନୀୟ ସମ୍ୱାଦ ମଞ୍ଚ ବିକାଶକଳ୍ପେ ‘ଆମେରିକାନ ଜର୍ଣ୍ଣାଲିଜମ ପ୍ରୋଜେକ୍ଟ’ର ଭୂମିକା ସଂପର୍କୀତ ୟୁଟ୍ୟୁବ ଭିଡ଼ିଓ ନିମ୍ନ ଲିଙ୍କରେ ଉପଲବ୍ଧ :

 

Watch ‘American Journalism Project, Explained’ on YouTube

 

https://youtu.be/e4uQiBPDPsw

 

ତଥ୍ୟ:

 

American Journalism Project

 

https://www.theajp.org/

 

Waldman, Steven. Strengthening local news could combat polarization

 

https://www.rebuildlocalnews.org/strengthening-local-news-could-combat-polarization/

ଏଆଇ ପ୍ରଭାବିତ ସାମ୍ୱାଦିକତା 

‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ୨୦୨୩ ମସିହାରେ ବିଶ୍ୱବ୍ୟାପୀ ସର୍ବାପେକ୍ଷା ଚର୍ଚ୍ଚିତ ଶବ୍ଦ ରୂପେ ଇଂଲିଶ ଶବ୍ଦକୋଷ ‘କଲିନ୍ସ ଡ଼ିକ୍ସନାରୀ’ ପକ୍ଷରୁ ଚ଼ିହ୍ନଟ କରାଯାଇଛି । ଅର୍ଥାତ, ସମାଜର ବିଭିନ୍ନ କ୍ଷେତ୍ରରେ ଏଆଇର ପ୍ରୟୋଗ ତଥା ସମ୍ଭାବ୍ୟ ଉପଯୋଗ ଜନଜୀବନରେ ଆଲୋଡ଼ନ ସୃଷ୍ଟି କରିଥିଲା । ସାମ୍ୱାଦିକତା ଏହି ପ୍ରଦ୍ୟୋଗୀକି ପରିବର୍ତ୍ତନରେ ଅବଶ୍ୟ ସାମିଲ ହୋଇଛି । ଉଭୟ ପାରମ୍ପରିକ ଓ ଡ଼ିଜିଟାଲ ମଞ୍ଚରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଏଆଇ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଥିବା କୁହାଯାଉଛି । ବିଶେଷକରି ୨୦୨୨ ନଭେମ୍ୱର ଶେଷ ଦିବସରେ ‘ଜେନେରିଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନସ’ର ବ୍ୟବହାର ସାର୍ବଜନୀନ ହେବା ଘଟଣାଟିକୁ ଏକ ନୂତନ ଯୁଗର ଅୟମାରମ୍ଭ ବିଚାର କରାଯାଉଛି ।

 

ଆନ୍ତର୍ଜାତିକସ୍ତରରେ ସମ୍ମୁଖ ଧାଡ଼ିର ସମ୍ୱାଦ ମଞ୍ଚଗୁଡ଼ିକ ଏଆଇର ବିଭିନ୍ନ ବିଭବ ସଂପର୍କରେ ପୂର୍ବରୁ ପରିଚ଼ିତ ଥିଲେ ଏବଂ ଆବଶ୍ୟକମତେ ବ୍ୟବହାର କରୁଥିଲେ । ‘ଲଣ୍ଡନ ସ୍କୁଲ ଅଫ ଇକନୋମିକ୍ସ’ ପକ୍ଷରୁ ୨୦୧୯ରେ ବିଶ୍ୱର ୩୨ ଗୋଟି ରାଷ୍ଟ୍ରରେ ୭୧ ଗୋଟି ସମ୍ୱାଦ ମଞ୍ଚରେ ଏଆଇ ଉପଯୋଗ ସଂପର୍କରେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ପ୍ରାୟ ଅର୍ଦ୍ଧେକ ମଞ୍ଚ ସମ୍ୱାଦ ସଂଗ୍ରହରେ, ଦୁଇ ତୃତୀୟାଂଶ ସମ୍ୱାଦ ଉତ୍ପାଦ ପ୍ରସ୍ତୁତିରେ ଓ ଅର୍ଦ୍ଧେକ ଉତ୍ପାଦ ବିତରଣରେ ଏଆଇ ପ୍ରଯୁକ୍ତି କୌଶଳ ସାମିଲ କରିଥିବା ସ୍ୱୀକାର କରିଥିଲେ । ସାଧାରଣରେ ସୋସିଆଲ ମିଡ଼ିଆ ମଞ୍ଚରୁ ସମ୍ୱାଦ ଉପାଦାନ ସଂଗ୍ରହ, ଅନୁସନ୍ଧାନମୂଳକ ସାମ୍ୱାଦିକତା ଓ ବିଭିନ୍ନ ସୂତ୍ରରୁ ଉପଲବ୍ଧ ତଥ୍ୟ ବିଶ୍ଳେଷଣ ନିମନ୍ତେ ଏଆଇର ସହାୟତା ଗ୍ରହଣ କରାଯାଉଥିଲା ।

 

‘ଚାଟ-ଜିପିଟି’ ପ୍ରଚଳନ ପରେ ୨୦୨୩ ସୁଦ୍ଧା ୯୦ ପ୍ରତିଶତ ଅଗ୍ରଣୀ ସମ୍ୱାଦ ମଞ୍ଚ ସମ୍ୱାଦ ରଚନା କ୍ଷେତ୍ରରେ ଏଆଇ ଟୁଲସ ବ୍ୟବହାର କରୁଥିବା ଜଣାଯାଇଛି । ବିକଶିତ ରାଷ୍ଟ୍ରଗୁଡ଼ିକରେ ୨୦୧୯ରେ ୭୫ ପ୍ରତିଶତରୁ ପାଞ୍ଚ ବର୍ଷ ମଧ୍ୟରେ ୧୫ ପ୍ରତିଶତ ବୃଦ୍ଧି ଉଲ୍ଲେଖଯୋଗ୍ୟ ଅଗ୍ରଗତି । ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଗଣମାଧ୍ୟମ ପ୍ରବାହ ଅନୁକରଣଧର୍ମୀ ହୋଇଥିବା ହେତୁ ଦୁଇରୁ ତିନି ବର୍ଷ ମଧ୍ୟରେ ୨୦୨୫ ସୁଦ୍ଧା ସ୍ଥାନୀୟ ସାମ୍ୱାଦିକତାରେ ଏଆଇ ଉପଯୋଗ ବୃଦ୍ଧି ସୁସ୍ପଷ୍ଟ । ଗଣମାଧ୍ୟମ ବିଶ୍ଳେଷକଙ୍କ ସୂଚ଼ନା ଅନୁଯାୟୀ ଜର୍ମାନୀ ଉଦ୍ଭାବିତ ‘କ୍ଳାରା’ ନାମକ ଏଆଇ ଟୁଲ ବ୍ୟବହାରରେ ସମ୍ୱାଦ ରଚନା ‘ଏକ୍ସପ୍ରେସ ଡଟ ଡିଇ’ ପକ୍ଷରୁ ୨୦୨୩ରେ ବଜାରକୁ ଛଡ଼ାଯାଇଛି । ପ୍ରଦତ୍ତ ତଥ୍ୟ ଆଧାରରେ ଏହି ଟୁଲ ରଚନା ପ୍ରସ୍ତୁତ କରିପାରେ । ଫଳରେ ଜଣେ ସମ୍ୱାଦିକ ଯାନ୍ତ୍ରିକ ରଚନା ସଂଶୋଧନ କରି ପୁନଃଲିଖନ ସୁବିଧା ଗ୍ରହଣ କରିପାରେ । ଖୁବ କମ ସମୟରେ ଓ କମ ପରିଶ୍ରମରେ ତଥ୍ୟଭିତ୍ତିକ ଗୁଣାତ୍ମକ ପ୍ରକାଶନ ଉପଯୋଗୀ ସମ୍ୱାଦ ରଚନା ସଂଭବ ହୋଇପାରେ ।

 

ପ୍ରଶ୍ନ ଉଠିବ ‘କ୍ଳାରା’ ଭାରତ ବା ଓଡ଼ିଶାରେ ବ୍ୟବହାରଯୋଗ୍ୟ କି ? ପରିବର୍ତ୍ତିତ ପରିବେଶରେ କୌଣସି ଏଆଇ ଟୁଲ ବ୍ୟବହାରରେ ଭାଷା ପ୍ରତିବନ୍ଧକ ହଟିଯାଇଛି । ଇଂଲିଶରୁ ଓଡ଼ିଆରେ ଅନୁବାଦ କାର୍ଯ୍ୟ ୨୦୨୪ ସୁଦ୍ଧା ପ୍ରାୟ ୯୦ ପ୍ରତିଶତ ଯାଏଁ ତୃଟିଶୂନ୍ୟ ହେବ ବୋଲି ଅଗ୍ରଣୀ ସଂସ୍ଥାମାନେ ଦାବୀ କରିଛନ୍ତି । ଅତଏବ ଏଣିକି ବିଶ୍ୱର ଯେକୌଣସି ପ୍ରାନ୍ତରେ ଏଆଇ ସଂପର୍କୀତ ଯେଉଁ ଟୁଲ ବିକଶିତ ହେବ ତାହା ସହଜରେ ସର୍ବତ୍ର ସ୍ଥାନୀୟ ଭାଷାରେ ବ୍ୟବହାରଯୋଗ୍ୟ ହୋଇପାରିବ । ଓଡ଼ିଆରେ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରଗୁଡ଼ିକ ପର୍ଯ୍ୟାପ୍ତ ସଂଖ୍ୟକ ଅଭିଜ୍ଞ ସହ-ସମ୍ପାଦକ ନିଯୁକ୍ତି ଦିଗରେ ଉଭୟ ସୃଜନ ଓ ନିବେଶ କ୍ଷେତ୍ରରେ ଅସହାୟ ଥିବା ଅବସରରେ ‘କ୍ଳାରା’ ଭଳି ଏଆଇ ଟୁଲସ ବ୍ୟବହାରଲାଗି ଆଗ୍ରହ ପ୍ରକାଶ କରିବା ସ୍ୱାଭାବିକ ।

 

ସମ୍ୱାଦ ରଚନା ସାଙ୍ଗକୁ ୨୦୨୩ ଶେଷ ସୁଦ୍ଧା ସମ୍ୱାଦ ମଞ୍ଚଗୁଡ଼ିକ ଚ଼ିତ୍ର, ଚାର୍ଟ ଓ ଇନଫୋଗ୍ରାଫିକ୍ସ ପ୍ରସ୍ତୁତିଲାଗି ଏଆଇକୁ ଗୁରୁତ୍ୱ ଦିଆ ଯାଉଥିଲା । ପ୍ରତିଯୋଗୀ ବଜାରରେ ସମ୍ୱାଦ ଉପସ୍ଥାପନା ଉପଭୋକ୍ତଙ୍କ ଦୃଷ୍ଟି ଆକର୍ଷଣରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ହେତୁ ସମ୍ୱାଦ ଅଳଂକରଣ ପ୍ରତି ସମସ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ଚ଼ିତ୍ର, ଚାର୍ଟ, ଇନଫୋଗ୍ରାଫିକ୍ସ ଇତ୍ୟାଦି ପ୍ରସ୍ତୁତି ସମୟ ସାପେକ୍ଷ ଓ ମହଙ୍ଗା । ଏଆଇ ଟୁଲସ ଏହି ସମସ୍ୟାର ସରଳ ସମାଧାନ କରିପାରୁଥିବା ହେତୁ ବିଶ୍ୱବ୍ୟାପୀ ଆଦର ବଢିଥିବା ଦେଖାଯାଏ ।

 

‘ଜୋଜୋ’ ଭଳି ଭଏସ ଜେନେରେଟର ମାଧ୍ୟମରେ ସମ୍ୱାଦ ସଂଗ୍ରହ କାଳରେ ସାକ୍ଷାତକାରର ବିବରଣୀ ମୂହର୍ତ୍ତକ ମଧ୍ୟରେ ଲିପିବଦ୍ଧ ହୋଇପାରେ । ଏହାକୁ ସମ୍ପାଦନାକରି ସମ୍ୱାଦ ପ୍ରସ୍ତୁତି କମ ସମୟ ଲାଗେ ଓ ନିର୍ଭୂଲ । ଡିଜିଟାଲ ମଞ୍ଚରେ ସମ୍ୱାଦ ପାଠ୍ୟ ସଙ୍ଗେ ଶ୍ରାବ୍ୟ ପ୍ରକାଶନ ବ୍ୟବସ୍ଥା ମଧ୍ୟ ପ୍ରସାର ଲାଭ କଲାଣି । ଏହି କ୍ଷେତ୍ରରେ ଭଏସ ଜେନେରେଟର ଉପଯୋଗ ହୁଏ । ତଥ୍ୟ ତନଖି ‘ଫେକ୍ଟ ଚ଼େକିଂ’ ପାଇଁ ଏଆଇ ଟୁଲସ ସହାୟକ । କ୍ରମଶଃ ସୋସିଆଲ ମିଡ଼ିଆ ଆଞ୍ଚଳିକ ସମ୍ୱାଦ ପ୍ରକାଶନର ମୁଖ୍ୟ ମଞ୍ଚରୂପେ ପରିଗଣିତ ହେଉଥିବା ସ୍ଥଳେ ସେହି ସୂତ୍ରରୁ ସଂଗୃହୀତ ସମ୍ୱାଦ ପୁନଃ ପ୍ରକାଶନ ପୂର୍ବରୁ ତନଖିବାକୁ ପଡ଼ିଥାଏ । କାରଣ ସତ୍ୟ ଓ ଅସତ୍ୟ ସମ୍ୱାଦ ପ୍ରସାରଣ ଉଭୟକୁ ସାଧାରଣସ୍ତରରେ ସମ ଭାବେ ଗ୍ରହଣ କରାଯାଇଥାଏ ।

 

ସାମ୍ୱାଦିକତାରେ ପ୍ରଦ୍ୟୋଗୀକି ବିକାଶ ଅନୁଧ୍ୟାନ କରୁଥିବା ସଂଗଠନଗୁଡ଼ିକ ପକ୍ଷରୁ ୨୦୨୩ ଶେଷ ସୁଦ୍ଧା ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଏଆଇ ଟୁଲସ ବ୍ୟବହୃତ ହେଉଥିବା ତାଲିକା ପ୍ରକାଶ କରାଯାଇଥିଲା । ଏଥି ମଧ୍ୟରୁ ପ୍ରଭାବଶାଳୀ ଟୁଲସ ମଧ୍ୟରେ ଅନୁସନ୍ଧାନମୂଳକ ଓ ବିଶ୍ଳେଷଣାତ୍ମକ ସମ୍ୱାଦ ରଚନା ନିମନ୍ତେ ବହୁ ପରିମାଣ ତଥ୍ୟରୁ ତତ୍ କ୍ଷଣାତ ସାରାଂଶ ଓ ପାରସ୍ପରିକ ସଂପର୍କ ‘କୋ-ରିଲେସନ’ ପ୍ରସ୍ତୁତି ଅନ୍ୟତମ । ସାଧାରଣରେ ଜଣାପଡୁନଥିବା ଅନେକ ତଥ୍ୟ ପ୍ରଯୁକ୍ତି କୌଶଳ ଉପଯୋଗରେ ନଥିପତ୍ରରୁ ଖୋଜି ବାହାର କରାଯାଇପାରୁଛି । ସେହିପରି ‘ଲିଡ଼ ଜେନେରେସନ ଟୁଲସ’ ସହାୟତାରେ କୌଣସି ଘଟଣାକ୍ରମର ସମ୍ଭାବ୍ୟ ଭବିଷ୍ୟତ ସଂପର୍କରେ ସୂଚନା ଚ଼ିହ୍ନଟ ହୋଇପାରୁଛି । ସମ୍ୱାଦ ସଂସ୍କରଣ ପ୍ରକାଶନ ଅବସରରେ ଆପେକ୍ଷିକ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ନିର୍ବାଚ଼ନ ଏହି ପ୍ରକ୍ରିୟାରେ ସହଜ ହୋଇପାରେ ।

 

‘ଅଡ଼ିଏନ୍ସ ଏଙ୍ଗେଜମେଣ୍ଟ ଟୁଲସ’ ଦ୍ୱାରା ଉପଭୋକ୍ତାଙ୍କ ରୁଚ଼ି, ଆଗ୍ରହ ଓ ପ୍ରଚଳିତ ପ୍ରବାହ ଆକଳନ କରାଯାଇପାରେ । ସେମାନଙ୍କ ମତାମତ ଓ ପ୍ରତିକ୍ରିୟାର ସୁକ୍ଷ୍ମାତିସୁକ୍ଷ୍ମ ବିଶ୍ଳେଷଣ ଦ୍ୱାରା କିପରି ଗୁଣାତ୍ମକ ଉପାଦାନ ପ୍ରସ୍ତୁତି ହୋଇପାରିବ ସେଦିଗରେ ପ୍ରକାଶକ ଓ ସମ୍ପାଦକମାନେ ଧ୍ୟାନ ଦେଇଥାନ୍ତି । ଏହି ଟୁଲସଗୁଡ଼ିକ ଯୋଗେ ତଥ୍ୟ ସଂଗ୍ରହ ଓ ସମୀକ୍ଷା ସ୍ୱୟଂକ୍ରିୟ ପ୍ରଣାଳୀରେ ସମାହିତ । କେଉଁ ବିଷୟ, ଶୈଳୀ ଓ ଅଳଂକରଣ ଉପଭୋକ୍ତାଙ୍କ ଦ୍ୱାରା ଆଦୃତ ହୋଇପାରିବ ସେ ଦିଗରେ ଯାନ୍ତ୍ରିକ ପରାମର୍ଶ ପ୍ରସ୍ତୁତ ହୋଇପାରେ । ‘ଡ଼ିଷ୍ଟ୍ରିବ୍ୟୁସନ ଟୁଲସ’ଗୁଡ଼ିକ ମାଧ୍ୟମରେ ଉପାଦାନ ପ୍ରସ୍ତୁତି ପରେ କପରି ଉପଭୋକ୍ତାଙ୍କ ବ୍ୟକ୍ତିଗତ ଋଚି ଆଧାରରେ ତଥା ବିଭିନ୍ନ ଭାଷାରେ ବହୁ ସଂଖ୍ୟକ ସଂସ୍କରଣ ପ୍ରସାରିତ ହୋଇପାରିବ ସେ ଦିଗରେ ସ୍ୱୟଂକ୍ରିୟ ପଦ୍ଧତି କାର୍ଯ୍ୟକ୍ଷମ ସଂଭବ । ଏତଦ୍ୱାରା ଶ୍ରମ ଓ ସମୟ ଉଭୟ ବଞ୍ଚିପାରେ ।

 

ସାମ୍ୱାଦିକତାରେ ଏଆଇ ପ୍ରୟୋଗ କ୍ରମବିକଶିତ ‘ଇଭଲଭିଂ’ ଅବସ୍ଥା ଦେଇ ଗତି କରୁଛି । ପାରମ୍ପରିକ ଭାବେ ସାମ୍ୱାଦିକତାରେ ବ୍ୟବହୃତ ପ୍ରତ୍ୟେକ ସାଜସରଞ୍ଜାମ ନିର୍ଦ୍ଦିଷ୍ଟ ବିଷୟ ପ୍ରସ୍ତୁତଲାଗି ଉଦ୍ଦିଷ୍ଟ ହୋଇଆସିଥିଲା । ଯାନ୍ତ୍ରିକ କୌଶଳ କେବଳ ବହୁ ସଂଖ୍ୟକ ନକଲ ପ୍ରସ୍ତୁତିରେ ପର୍ଯ୍ୟବସିତ ରହିଆସିଥିଲା । କିନ୍ତୁ ଏଆଇର ଫଳାଫଳ ଅନିର୍ଦ୍ଦିଷ୍ଟ । ଏହି କାରଣରୁ ଏଆଇ ଉପଯୋଗରେ ମାନବିକ ସତର୍କତା ସର୍ବାଧିକ ଗୁରୁତ୍ୱ ବହନ କରେ । ଉଦାହରଣରେ କୌଣସି ସଭା ସମିତିରେ ଭାଷଣ ଅନୁବାଦର ଜୀବନ୍ତ ପ୍ରସାରଣ କାଳରେ ଭୂଲଭଟ୍ଟକା ସଂଭବ । ଏତଦ୍ ବ୍ୟତୀତ ଏଆଇ ବିଚାରଶକ୍ତି ସଂପନ୍ନ ନ ହୋଇଥିବା ହେତୁ ସ୍ଥଳବିଶେଷରେ ବିଭିନ୍ନ କାରଣରୁ ବିଭ୍ରାନ୍ତିକର ଫଳାଫଳ ମଧ୍ୟ ପ୍ରଦାନ କରିପାରେ । ଏହି ଦିଗରେ ସତର୍କତା ଅଭାବ ସାମ୍ୱାଦିକତାରେ ବିଶ୍ୱାସନୀୟତା ହାନୀର ଭୟ ରହିଥାଏ ।

 

ଏଆଇ କ୍ରମବିକାଶରେ ‘ଓପନ-ଏଆଇ’ର ‘କ୍ୟୂ-ଷ୍ଟାର’କୁ ନେଇ ୨୦୨୩ ନଭେମ୍ୱର ମାସରେ କଳ୍ପନାଜଳ୍ପନା ଲାଗି ରହିଥିବା ଅବସରରେ ୬ ଡ଼ିସେମ୍ୱରରେ ‘ଗୁଗୁଲ’ ପକ୍ଷରୁ ‘ଜେମିନୀ’ ନାମିତ ପରବର୍ତ୍ତୀ ପର୍ଯ୍ୟାୟ ଜେନେରେଟିଭ ଏଆଇ ମଡ଼େଲ ଉନ୍ମୋଚନ ହୋଇଥିଲା । ‘ଜେମିନୀ’ ନାନୋ, ପ୍ରୋ ଓ ଅଲଟ୍ରା ତିନିଗୋଟି ପର୍ଯ୍ୟାୟରେ ଉପଲବ୍ଧ ହେବ । ନାନୋ ଏଣ୍ଡ୍ରୋଏଡ଼ ଉପକରଣରେ ସାଧାରଣସ୍ତରରେ ବ୍ୟବହାର, ପ୍ରୋ ଅପେକ୍ଷାକୃତ ଶକ୍ତିଶାଳୀ ଏବଂ ଅଲଟ୍ରା ଲାର୍ଜ ଲାଙ୍ଗୁଏଜ ମଡ଼େଲ ଭାବେ ଡ଼ାଟା ସେଣ୍ଟରଗୁଡ଼ିକରେ କାର୍ଯ୍ୟ କରିବ । ପ୍ରାଥମିକଭାବେ ଏହା ଇଂଲିଶ ଭାଷାରେ ଉପଲବ୍ଧ ଥିବା ସ୍ଥଳେ କ୍ରମଶଃ ବିଭିନ୍ନ ଭାଷାକୁ ସଂପ୍ରସାରିତ ହେବ । ‘ଜେମିନୀ’ ମନୁଷ୍ୟ ଓ ଚାଟଜିପିଟିଠାରୁ ୮୫ ପ୍ରତିଶତରୁ ଅଧିକ ଶକ୍ତିଶାଳୀ ଥିବା କୁହାଯାଉଛି । କାର୍ଯ୍ୟକ୍ଷେତ୍ରରେ ଜାନୁୟାରୀ ୨୦୨୪ରୁ ଏହାର କରାମତି ପରଖିବା ଆଶା କରାଯାଇପାରେ । ଭଡ଼ା ମଟର ଗାଡ଼ି ପାଇଁ ପ୍ରସିଦ୍ଧ ‘ଓଲା’ ପ୍ରଯୋଜିତ ଭାରତୀୟ ଭାଷା ସମୃଦ୍ଧ ‘କୃତ୍ରିମ’ ନାମକ ଏକ ଲାର୍ଜ ଲାଙ୍ଗୁଏଜ ମଡ଼େଲ ମଧ୍ୟ ଜାନୁୟାରୀ ୨୦୨୪ରୁ ଦେଶରେ ଉପଲବ୍ଧ ହେବା ଘୋଷଣା ଓଡ଼ିଆ ସାମ୍ୱାଦିକତା ଲାଗି ଏକ ନୂତନ ଅଧ୍ୟାୟର ସନ୍ଦେଶ ଦେଇଛି ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଡ଼ିସେମ୍ୱର ୨୦୨୩

ତଥ୍ୟ:

 

AI adoption for newsrooms: A 10 step guide

 

https://partnershiponai.org/ai-for-newsrooms/

 

10 ways journalists use AI tools in the newsroom TWIPE. October 5, 2023

 

https://www.twipemobile.com/10-ways-journalists-use-ai-tools-in-the-newsroom/

 

Baruah, Ayushman. AI race gets fiercer : Is Gemini a giant stride or leap of faith ? Business Standard (Bhubaneswar Edition). December 11, 2023

ସାମ୍ୱାଦିକତା ବୃତ୍ତିରେ ଏଆଇ ପ୍ରଭାବ 

ସୃଜନ କୃତ୍ରିମ ବୁଦ୍ଧିମତ୍ତା ‘ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ୨୦୨୨ ଶେଷପାଦରେ ସାର୍ବଜନୀନ ସ୍ତରରେ ଉପଲବ୍ଧ ହେବାପରେ ବିଭିନ୍ନ ପାରମ୍ପରିକ ବୃତ୍ତିରେ ଏହି ନୂତନ ପ୍ରଯୁକ୍ତି କୌଶଳର ପ୍ରଭାବ ସଂପର୍କରେ ଆରମ୍ଭ ହୋଇଥିବା ବିଚାରବିମର୍ଷର ଅନ୍ତ ନାହିଁ । ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଅର୍ଥନୀତି ଗବେଷଣା ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ଶ୍ରମନିଯୁକ୍ତିରେ ଜେନେରେଟିଭ ଏଆଇର ପ୍ରଭାବ ବିଶ୍ଳେଷଣରେ ତଥ୍ୟଭିତ୍ତିକ ଆକଳନମାନ ପ୍ରକାଶ ପାଇବାରେ ଲାଗିଛି । ‘ଗୋଲଡ଼ମେନ ସାକସ’ ପକ୍ଷରୁ ୨୦୨୩ ପ୍ରଥମ ତ୍ରୈୟମାସରେ କୁହାଯାଇଛି ଯେ ସମକାଳରେ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପ ଭଳି ବିକଶିତ ରାଷ୍ଟ୍ରରେ ଦୁଇ ତୃତୀୟାଂଶ କାର୍ଯ୍ୟାବଳୀରେ ଏଆଇ ଊଣାଅଧିକେ ବ୍ୟବହୃତ ହେଉଛି । ନିକଟ ଭବିଷ୍ୟତରେ ଏକ-ଚ଼ତୁର୍ଥାଂଶ ଯାଏଁ କାର୍ଯ୍ୟ ଏକଚାଟିଆଭାବେ ଏଆଇ ଆୟତ୍ତକୁ ଚାଲିଯିବ । ସମୟକ୍ରମେ ଏହି ପରିସ୍ଥିତି ବିଶ୍ୱବ୍ୟାପୀ ପ୍ରସାରିତ ହେବା ଆଶଙ୍କା ଅମୂଳକ ନୁହେଁ ।

 

ଅନ୍ୟତମ ଅଗ୍ରଣୀ ବାଣିଜ୍ୟ-ବ୍ୟବସାୟ ପରାମର୍ଶଦାତା ସଂସ୍ଥା ‘ମାକ-କିନ୍ସଲେ ଇନଷ୍ଟିଟିଉଟ’ ସୂତ୍ରରୁ ପ୍ରକାଶ ଯେ ପ୍ରଥମ ପର୍ଯ୍ୟାୟରେ ସଫଟୱେର ଡ଼େଭଲପର, ୱେବ ଡ଼େଭଲପର, କମ୍ପ୍ୟୁଟର ପ୍ରୋଗ୍ରାମର ଓ ଡ଼ାଟା ବିଜ୍ଞାନୀ ବୃତ୍ତି ଜେନେରେଟିଭ ଏଆଇ ଦ୍ୱାରା ପ୍ରଭାବିତ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ସୃଜନରେ ସଂପୃକ୍ତ ସାମ୍ୱାଦିକତା ଓ ବିଜ୍ଞାପନ ତଥା ଆଇନ ଭଳି ବୃତ୍ତିରେ ପୃଷ୍ଠଭୂମିସ୍ତରରେ କାର୍ଯ୍ୟ ଏଆଇ ଦ୍ୱାରା ସମାହିତ ହେବା ଧାରା ଆରମ୍ଭ ହେଲେ ସଂପୃକ୍ତ କ୍ଷେତ୍ରରେ କର୍ମସଂସ୍ଥାନ ହାର କମିଯିବ ।

 

ପରିବର୍ତ୍ତିତ ପରିବେଶରେ ସାମ୍ୱାଦିକତା ସମ୍ୱାଦସୂତ୍ର ଚ଼ିହ୍ନଟ, ତଥ୍ୟ ସଂଗ୍ରହ, ଅନୁଶୀଳନ, ଭାଷା ଓ ଶୈଳୀ ସଂଶୋଧନ, ପଠନୀୟମାନ ନିର୍ଦ୍ଧାରଣ, ପ୍ରକାଶନ, ବିତରଣ, ପାଠକୀୟ ପ୍ରତିକ୍ରିୟା ସଂକଳନ ଏବଂ ଅର୍ଥ-ଉପାର୍ଜନ ଭଳି ବିଭିନ୍ନ ଯୌଗିକ ପ୍ରକ୍ରିୟାରେ ପର୍ଯ୍ୟବସିତ । ବିଗତ ଦୁଇ ଶହ ବର୍ଷ ଧରି ସାମ୍ୱାଦିକତା ବିଜ୍ଞାପନ-ଆଶ୍ରିତ ମଡ଼େଲରେ ବିକଶିତ ହୋଇଥିଲା । କୋଭିଡ଼-୧୯ ମହାମାରୀ-ପର ଅବସ୍ଥାରେ ସାମ୍ୱାଦିକତା ସ୍ୱାଧୀନ, ଲୋକାଭିମୁଖୀ ଓ ସ୍ୱାବଲମ୍ୱୀ ମଡ଼େଲ ଦିଗରେ ଅଗ୍ରସର ହେଉଥିବା ଅବସରରେ ପାରମ୍ପରିକ ସାମ୍ୱାଦିକତା ମଡ଼େଲରେ ସଂଯୁକ୍ତ ଏକ ବଡ଼ ଭାଗ ପ୍ରଚାରଧର୍ମୀ ଗଣମାଧ୍ୟମ ଦିଗରେ ସଂପ୍ରସାରିତ ହେବାରେ ଲାଗିଛି । ମହାମାରୀ ପୂର୍ବ-ଅବସ୍ଥାରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଜଣେ ବୃତ୍ତିଧାରୀ ସାମ୍ୱାଦିକଙ୍କ ସହ ଛଅ ଜଣ ବିଜ୍ଞାପନ ଅଧିକାରୀ କାର୍ଯ୍ୟରତ ଥିବା ହିସାବ କରାଯାଉଥିଲା । ଏଣିକି ବିଶ୍ୱବ୍ୟାପୀ ଅଶୀ ପ୍ରତିଶତ ପ୍ରଚାର ସର୍ବସ୍ୱ ପ୍ରାୟୋଜିତ ସାମ୍ୱାଦିକତା ଓ କୋଡ଼ିଏ ପ୍ରତିଶତ ମୌଳିକ ସାମ୍ୱାଦିକତାରେ କର୍ମ ନିଯୁକ୍ତି ସୀମିତ ରହିବା ସୁସ୍ପଷ୍ଟ ।

 

ସାମ୍ୱାଦିକତାର ରୂପାନ୍ତର ସାମ୍ୱାଦିକତା ବୃତ୍ତିରେ ବ୍ୟାପକ ପରିବର୍ତ୍ତନ ଆଣିବ । ଉଭୟ ମୌଳିକ ସାମ୍ୱାଦିକତା ଓ ପ୍ରାୟୋଜିତ ସାମ୍ୱାଦିକତା ପରିବେଷଣରେ ଗୁଣବତ୍ତା ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରାଯିବ । ଏହି ପରିବେଶରେ ସାମ୍ୱାଦିକତା ବୃତ୍ତିର ପରିଭାଷା ପରିବର୍ତ୍ତିତ ହେଉଥିବା ସ୍ଥଳେ ଏଆଇ ଦ୍ୱାରା ସାମ୍ୱାଦିକତାରେ ଶ୍ରମନିଯୁକ୍ତି କେତେମାତ୍ରାରେ ପ୍ରଭାବିତ ହେବ ତାହା ସଂପୃକ୍ତ ଭୌଗଳିକ ଓ ରାଜନୀତିକ ‘ଜିଓ-ପଲଟିକାଲ’ ପୃଷ୍ଠଭୂମି ଉପରେ ନିର୍ଭରଶୀଳ ହେବା ବିଚାର କରାଯାଇପାରେ । ଉଦାହରଣରେ ଏକଛତ୍ରବାଦୀ ପ୍ରଶାସନରେ ପ୍ରଚାରଧର୍ମୀ ପ୍ରାୟୋଜିତ ସାମ୍ୱାଦିକତାରେ ଶ୍ରମନିଯୁକ୍ତି ଉର୍ବର ଉପତ୍ୟତାରେ ବିଚରଣ ସମ୍ଭବଥିବା ସ୍ଥଳେ ବିକଳ୍ପ ସାମ୍ୱାଦିକତା ବଞ୍ଚିରହିବା ଲାଗି ଅହରହ ସଂଗ୍ରାମ କରୁଥିବା ସ୍ଥଳେ ବିପୁଳ ପାଠକୀୟ ସ୍ୱୀକୃତି ହାସଲ କରିବ । ତେଣୁ ପରସ୍ପର ବିରୋଧି ସ୍ଥିତିରେ ବୈଷୟିକ କୌଶଳ ପ୍ରୟୋଗ ସ୍ଥିତାବସ୍ଥାର ଆବଶ୍ୟକତା ନିର୍ଦ୍ଧାରଣ କରିବା ବିଶ୍ୱାସ କରାଯାଏ ।

 

ପ୍ରକାଶନ ମଞ୍ଚରେ ପରିବର୍ତ୍ତନ ସାମ୍ୱାଦିକତାର ସ୍ୱରୂପ ଓ କାର୍ଯ୍ୟଧାରାକୁ ନିୟନ୍ତ୍ରିତ କରିବ । ପାରମ୍ପରିକ ମୁଦ୍ରଣ, ଶ୍ରାବ୍ୟ ଓ ଦୃଶ୍ୟ ଗଣମାଧ୍ୟମ ମଞ୍ଚଗୁଡ଼ିକର ଡ଼ିଜିଟାଲ ରୂପାନ୍ତର ଉପାଦାନ ‘କଣ୍ଟେଣ୍ଟ’ ପ୍ରସ୍ତୁତି ଓ ପ୍ରସାର ଦିଗରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର । ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ତୃଣମୂଳ ସ୍ତରରେ ପ୍ରତ୍ୟେକ ଉପଭୋକ୍ତାଙ୍କୁ ପ୍ରକାଶନ ଓ ଅଭିବ୍ୟକ୍ତିରେ ସ୍ୱାଧୀନତା ପ୍ରଦାନରେ ସକ୍ଷମ ହୋଇଥିବା ସ୍ଥଳେ ଏହିଭଳି ମଞ୍ଚଗୁଡ଼ିକ ଆନ୍ତର୍ଜାତିକସ୍ତରର ବ୍ୟାବସାୟିକ ସଂସ୍ଥା ମାଲିକୋନାରେ ଥିବା ଏବଂ ପ୍ରକାଶନ ନିୟନ୍ତ୍ରଣର ସୁଯୋଗ ଶୀର୍ଷସ୍ତରରେ କେନ୍ଦ୍ରୀଭୂତ ହେଉଥିବା ସ୍ଥଳେ ଗଣତନ୍ତ୍ର ପ୍ରହେଳିକାମୟ ପ୍ରତୀୟମାନ ହୋଇଥାଏ । ସାମାଜିକ ଗଣମାଧ୍ୟମର ମୂଳ ଆଧାର କୃତ୍ରିମ ବୁଦ୍ଧିମତ୍ତା । ତେଣୁ ବିକଳ୍ପ ସାମ୍ୱାଦିକତା ଡିଜିଟାଲ ମଞ୍ଚରେ ତିଷ୍ଠି ପାରିବ ନା କାଗଜ-କାଳିର ମୁଦ୍ରଣ ମଞ୍ଚକୁ ଫେରିଯିବାକୁ ବାଧ୍ୟ ହେବ, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ ।

 

ବିଶ୍ୱବ୍ୟାପୀ ବିଭିନ୍ନ ବୃତ୍ତି ଶ୍ରମନିଯୁକ୍ତିରେ ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ପ୍ରଚଳନରେ ଦଶ ବର୍ଷ ମଧ୍ୟରେ ୧୮ ପ୍ରତିଶତ କର୍ମଚାରୀ, ଅର୍ଥାତ ପ୍ରାୟ ୩୦ କୋଟି ପ୍ରଭାବିତ ହେବା ଗୋଲଡମେନ ସାକସ ପକ୍ଷରୁ କୁହାଯାଇଛି । ଭାରତରେ ଏହି ପ୍ରଭାବ ୧୧ ରୁ ୧୨ ପ୍ରତିଶତ ମଧ୍ୟରେ ସୀମିତ ରହିବା ପୂର୍ବାନୁମାନ କରାଯାଉଛି । ହଙ୍ଗକଙ୍ଗ, ଇସ୍ରାଏଲ, ଜାପାନ, ସ୍ପୀଡ଼େନ, ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନରେ ଶ୍ରମ ସଂସ୍ଥାନରେ ପ୍ରଭାବ ୨୫ ରୁ ୩୦ ପ୍ରତିଶତ ଯାଏଁ ରହିବ । ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ୪୬ ପ୍ରତିଶତ କାର୍ଯ୍ୟାଳୟ ନିଯୁକ୍ତି, ୪୪ ପ୍ରତିଶତ ଆଇନ ବ୍ୟବସାୟ ଓ ୩୭ ପ୍ରତିଶତ ନିର୍ମାଣ-ସ୍ଥାପତ୍ୟ କାର୍ଯ୍ୟ କୃତ୍ରିମ ବୁଦ୍ଧିମତ୍ତା ବଳରେ ସ୍ୱୟଂକ୍ରିୟସ୍ତରକୁ ଉନ୍ନୀତ ହେବ । ଅର୍ଥାତ, ବିକଶିତ ରାଷ୍ଟ୍ରଗୁଡ଼ିକରେ ଏଆଇ ଦ୍ୱାରା ଆଗାମୀ ଦଶନ୍ଧିରେ ବହୁ ପାରମ୍ପରିକ ନିଯୁକ୍ତି ଲୋପ ପାଇଯିବ । ଅବଶ୍ୟ ଏଆଇ ପରିଚାଳନା ନିମନ୍ତେ କିଛି ସଂଖ୍ୟକ ନୂତନ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ ।

 

ସୃଜନ କୃତ୍ରିମ ବୁଦ୍ଧିମତ୍ତା ଏକ ନୂତନ ପ୍ରଯୁକ୍ତି କୌଶଳ ଏବଂ ପାରମ୍ପରିକ ଷ୍ଟେନୋଗ୍ରାଫି, ଏକାଉଣ୍ଟିଂ, ଫୋଟୋଗ୍ରାଫି ଭଳି ବୃତ୍ତି କିମ୍ୱା ରେଡ଼ିଓ, ଟେପ-ରେକର୍ଡର, ଟେଲିଭିଜନ, ଭିଡ଼ିଓ-ପ୍ଳେୟାର ଭଳି ଉପକରଣ ପରସନାଲ କମ୍ପ୍ୟୁଟର, ସ୍ମାର୍ଟଫୋନ ଓ ବିଭିନ୍ନ ଆପ୍ଳିକେସନର ପ୍ରସାର ପରେ ଯେପରି ବିଗତ ଅର୍ଦ୍ଧ-ଶତାଦ୍ଦୀରେ ଉଭେଇ ଯାଇଛି, ସେହି ପରିବେଶ ପୁଣି ପ୍ରତିଫଳିତ ହେବା କେତେକ ବିଶେଷଜ୍ଞ ବ୍ୟାଖ୍ୟା କରିଥାନ୍ତି । ଜନଜୀବନରେ ଏଆଇ ଉପଯୋଗ ରାଷ୍ଟ୍ରୀୟ ଉତ୍ପାଦିକା ଶକ୍ତିରେ ଉନ୍ନତି ଆଣିବା ମଧ୍ୟ ଗଣିତ କରାଯାଇଥାଏ । ପ୍ରଖର ପରିବର୍ତ୍ତନ ଆଶା କରାଯାଉଥିବା ବିକଶିତ ରାଷ୍ଟ୍ରଗୁଡ଼ିକରେ ଅର୍ଥନୀତିର ଅଭିବୃଦ୍ଧି ହାର ସ୍ୱାଭାବିକଭାବେ ଭାରତ ତୁଳନାରେ ଅଧିକ ରହିବ । ଆନ୍ତର୍ଜାତିକସ୍ତରରେ ଅଭିବୃଦ୍ଧି ହାର ୧.୫ ପ୍ରତିଶତ ଆକଳନ କରାଯାଉଥିବା ସ୍ଥଳେ ଭାରତରେ ଅର୍ଦ୍ଧେକ ୦.୭ ପ୍ରତିଶତ ଆଶା କରାଯାଉଛି ।

 

ଭାରତ ସରକାରଙ୍କ ପକ୍ଷରୁ ଏଆଇ ବିକାଶଧାରାକୁ ବିରୋଧ କରାଯାଉନାହିଁ । କେନ୍ଦ୍ର ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରୀ ପାର୍ଲାମେଣ୍ଟରେ ସମକାଳରେ କୃତ୍ରିମ ବୁଦ୍ଧିମତ୍ତା ଭଳି ଉନ୍ନତ ପ୍ରଯୁକ୍ତି କୌଶଳ ଉପଯୋଗ ନିୟନ୍ତ୍ରଣ ନିମନ୍ତେ କୌଣସି ଯୋଜନା ନଥିବା ସ୍ପଷ୍ଟ କରିଥିବା ସ୍ଥଳେ ଏହି କ୍ଷେତ୍ରରେ ସୁପରିଚାଳନା ଓ ନୈତିକତା ରକ୍ଷା ନିମନ୍ତେ ସଜାଗ ଥିବା ସୂଚ଼ନା ଦେଇଥିଲେ । ଅପରପକ୍ଷେ ଏହି ଭଳି ଏକ କ୍ରମବିକଶିତ କ୍ଷେତ୍ରରେ ତାଲିମ ଓ ଗବେଷଣା ନିମନ୍ତେ ମାନବସମ୍ୱଳ ପ୍ରସ୍ତୁତି ଦିଗରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏହା ପରୋକ୍ଷରେ ସାମ୍ୱାଦିକତା ବୃତ୍ତି ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ବୋଲି କୁହାଯାଇପାରେ ।

 

ମହାମାରୀ-ପର ପରିବେଶ ନ୍ୟୂ-ନରମାଲରେ ବିଶ୍ୱବ୍ୟାପୀ ସାମ୍ୱାଦିକତା ରୂପାନ୍ତରୀକରଣ ପ୍ରକ୍ରିୟା ବଳବତ୍ତର ଥିବା ସ୍ଥଳେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ ସାମ୍ୱାଦିକତାକୁ ଉନ୍ନତ ପର୍ଯ୍ୟାୟକୁ ଆରୋହଣରେ ସହାୟକ ହେବା ବିଶ୍ୱାସ କରାଯାଇପାରେ । ଉଭୟ ସାମ୍ୱାଦିକତା ଓ ବିଜ୍ଞାପନ ବୃତ୍ତିକୁ ଉନ୍ନତ ପ୍ରଯୁକ୍ତି କୌଶଳ ଆକର୍ଷଣୀୟ ଢଙ୍ଗରେ ଗଢ଼ିତୋଳିବା ସମ୍ଭବ । ଅବଶ୍ୟ, ଯେଉଁ ଶ୍ରମଶକ୍ତି ପରିବର୍ତ୍ତନ ସହ ତାଳ ଦେଇ ପାରିବେ ନାହିଁ, ସାମଗ୍ରିକସ୍ତରରେ ଆକଳନ କରାଯାଇଥିବା ୧୧ ରୁ ୧୨ ପ୍ରତିଶତ ନିଯୁକ୍ତି ହରାଇବା ବିପଦକୁ ସାମ୍ୱାଦିକତା ବୃତ୍ତିରେ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୪ ଏପ୍ରିଲ ୨୦୨୩


ତଥ୍ୟ:

 

Technology Transformation : India should aim to gain from the change (Editorial) Business Standard (Bhubaneswar Edition). April 10, 2023

 

Balakrishnan, Ajit. Will my job be threatened ? Decoding the post-ChatGPT angst. Business Standard  (Bhuabaneswar Edition). April 4, 2023

ଏଆଇ ‘ସ୍କ୍ରିପ୍ଟ-ଜିପିଟି’ 

ଆନ୍ତର୍ଜାତିକସ୍ତରରେ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ୨୦୨୨ ନଭେମ୍ୱର ଶେଷରେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ‘ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଲୋକାର୍ପଣ ପରବର୍ତ୍ତୀ ବର୍ଷକ ମଧ୍ୟରେ ୨୦୨୩ ନଭେମ୍ୱର ସୁଦ୍ଧା ସମାଜର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜୁଥିବା ବିବରଣୀ ଚର୍ଚ୍ଚିତ । ଏଥିରୁ ସାମ୍ୱାଦିକତା, ଟେଲିଭିଜନ ଓ ଚଳଚ଼ିତ୍ର ବାଦ ପଡ଼ିନାହିଁ । ଏକପକ୍ଷରେ ଏହି ପ୍ରଯୁକ୍ତି କୌଶଳ ଉପଯୋଗରେ ଟେଲିଭିଜନ ଓ ଚଳଚ଼ିତ୍ର ଶିଳ୍ପରେ ଦକ୍ଷତା ଅଭିବୃଦ୍ଧି ନିମନ୍ତେ ବ୍ୟାପକ ନିବେଶ ହେଉଥିବା ସ୍ଥଳେ କୃତ୍ରିମ ବୁଦ୍ଧିମତ୍ତା ପ୍ରଚଳନରେ ସମ୍ଭାବ୍ୟ ବିପଦ ଆଶଙ୍କାରେ ବିରୋଧ ମଧ୍ୟ ଉଲ୍ଲେଖନୀୟ ।

 

ବିଶ୍ୱ ଟେଲିଭିଜନ ଓ ଚଳଚ଼ିତ୍ର ପ୍ରଯୋଜନା କେନ୍ଦ୍ର ହଲିଉଡ଼ରେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ଚ଼ିତ୍ରନାଟ୍ୟ ରଚନାଠାରୁ ଆରମ୍ଭ କରି ଅଭିନେତା ଓ ଅଭିନେତ୍ରୀ ଚୟନ, ଡ଼ିଜିଟାଲ ଚ଼ରିତ୍ର ସଂରଚନା, ଦୃଶ୍ୟ ସଂଯୋଜନା, ଭିଜୁଆଲ ଏଫେକ୍ଟସ, ସଂପାଦନା, ସାଉଣ୍ଡ ଏଫେକ୍ଟସ ତଥା ବିଭିନ୍ନ ପୋଷ୍ଟ-ପ୍ରୋଡ଼େକସନ୍ସ କାର୍ଯ୍ୟରେ ପରୀକ୍ଷାମୂଳକଭାବେ ବ୍ୟବହାର ଆରମ୍ଭ ହୋଇଛି ।

 

ଅପରପକ୍ଷେ ୧୧,୫୦୦ ଲେଖକଙ୍କ ସଂଗଠନ ‘ରାଇଟର୍ସ ଗିଲଡ଼ ଅଫ ଆମେରିକା’ ଟେଲିଭିଜନ ଓ ଚଳଚ଼ିତ୍ର ଚ଼ିତ୍ରନାଟ୍ୟ ରଚନାରେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାରକୁ ବିରୋଧ କରି ପ୍ରଯୋଜକ ସଂଘ ‘ଏଲାଏନ୍ସ ଅଫ ମୋସନ ଫିକଚର୍ସ ଏଣ୍ଡ ଟେଲିଭିଜନ ପ୍ରୋଡ୍ୟୁସର୍ସ’ ଠାରେ ଦାବୀ ରଖି ୨୦୨୩ ମେ ୨ରୁ ସେପ୍ଟେମ୍ୱର ୨୭ ଯାଏଁ ପାଞ୍ଚମାସ ଧର୍ମଘଟ କରିଥିଲେ । ଯଦିଓ ଚାକିରୀ ସର୍ତ୍ତାବଳୀ ଓ ପାରିଶ୍ରମିକ ଇତ୍ୟାଦି ସଂପର୍କୀତ ଦାବୀ ଧର୍ମଘଟ ସହ ଜଡ଼ିତ ଥିଲା, ତେବେ ଏଆଇ ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାବୀ ରୂପେ ଉପସ୍ଥାପିତ ହୋଇଥିଲା । ଧର୍ମଘଟ ବୁଝାମଣାରେ ହଲିଉଡ଼ ଟେଲିଭିଜନ ଓ ଚଳଚ଼ିତ୍ର ପ୍ରଯୋଜନାରେ ଏଆଇ ଦ୍ୱାରା ପ୍ରସ୍ତୁତ ଚିତ୍ରନାଟ୍ୟ ବ୍ୟବହାର ବାରଣ କରାଯାଇଥିଲା । ଏଆଇ କେବଳ ସୃଜନର ଗୁଣାତ୍ମକ ବିକାଶ ଦିଗରେ ଉପଯୋଗ ହେବା ସ୍ଥିରୀକୃତ ହୋଇଥିଲା ।

 

ବିଶ୍ୱବ୍ୟାପୀ ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଥିବା ସ୍ଥଳେ ଭାରତରେ ମଧ୍ୟ ଅନୁରୂପ ଉଦ୍ୟମ ଅବ୍ୟାହତ ରହିଛି । ଏହି ପ୍ରଯୁକ୍ତି କୌଶଳ ବିକାଶରେ ଆମ ଦେଶରେ ଅନୂକୂଳ ମନୋଭାବ ଦେଖିବାକୁ ମିଳେ । ଏକପକ୍ଷରେ ସ୍ଥାନୀୟ ଶ୍ରମଶକ୍ତି ଏଆଇର ବିରୋଧ କରୁନାହାନ୍ତି । ଏଆଇର ପ୍ରସାରରେ ନିଯୁକ୍ତି ହ୍ରାସ ଆଶଙ୍କାରେ ବିଶ୍ୱର କେତେକ ପ୍ରାନ୍ତରେ ଜୋରଦାର ପ୍ରତିବାଦ ହେଉଥିବା ସ୍ଥଳେ ନୂତନ ବୈଷୟିକ କୌଶଳରେ ଦକ୍ଷତା ବିକାଶ ନିମନ୍ତେ ଭାରତୀୟମାନେ ଉଦ୍ୟମରତ । ଅପରପକ୍ଷରେ ଭାରତ ସରକାର ସମେତ ଅଧିକାଂଶ ରାଜ୍ୟ ସରକାର ଏଆଇ ଓ ଷ୍ଟାର୍ଟଅପ ପ୍ରବାହକୁ ସମର୍ଥନ କରି ନିଜ ନିଜ ରାଜ୍ୟରେ ବିକାଶ ନିମନ୍ତେ ପ୍ରୋତ୍ସାହନ ନୀତି ଘୋଷଣା କରିଛନ୍ତି ।

 

ଟେଲିଭିଜନ ଓ ଚଳଚ଼ିତ୍ର ଶିଳ୍ପରେ ଏଆଇ ଉପଯୋଗ ଦିଗରେ ବଲିଉଡ଼ରେ ୨୦୨୩ ଶେଷ ସୁଦ୍ଧା କେତେକ ଉଦାହରଣ ଚର୍ଚ୍ଚାର ପରିସରକୁ ଆସିଥାଏ । ଗୁଗୁଲ ପରିଚାଳିତ ୟୁଟ୍ୟୁବ ପକ୍ଷରୁ ଭିଡ଼ିଓ ପ୍ରଯୋଜନା ନିମନ୍ତେ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ପଦ୍ଧତି ସାର୍ବଜନୀନ ସ୍ତରରେ ଉପଲବ୍ଧ କରାଇବା ଫଳରେ ଦୃଶ୍ୟଶ୍ରାବ୍ୟ କାର୍ଯ୍ୟକ୍ରମ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ସଂଭବ ହୋଇଛି । ଚ଼ିତ୍ରନାଟ୍ୟ ପ୍ରସ୍ତୁତି, ସମ୍ପାଦନା ଓ ଭିଡ଼ିଓ ଅନୁବାଦ କ୍ଷେତ୍ରରେ ବିନାମୂଲ୍ୟରେ ଉଚ୍ଚମାନର କାରିଗରୀ କୌଶଳ ସମସ୍ତଙ୍କୁ ଆକୃଷ୍ଟ କରିଛି । କମ ସମୟରେ ଭିଡ଼ିଓ ପ୍ରସ୍ତୁତି ତଥା ବିଭିନ୍ନ ଭାଷାରେ ଅନୁବାଦ ସୁଯୋଗ ଫଳରେ ପ୍ରସ୍ତୁତ କାର୍ଯ୍ୟକ୍ରମ ଅଧିକ ସଂଖ୍ୟକ ଦର୍ଶକଙ୍କ ନିକଟରେ ପହଞ୍ଚି ପାରୁଛି ଏବଂ ଏତଦ୍ୱାରା ବିଜ୍ଞାପନରୁ ଆୟ ମଧ୍ୟ ସମପରିମାଣରେ ବୃଦ୍ଧି ପାଇବାରେ ଲାଗିଛି । କୁହାଯାଉଛି ଯେ ଡ଼ିସେମ୍ୱର ୨୦୨୩ ସୁଦ୍ଧା ୟୁଟ୍ୟୁବ ଅନୁବାଦ ଭାରତୀୟ ଭାଷାଗୁଡ଼ିକରେ ୯୦ ପ୍ରତିଶତ ଦକ୍ଷତା ପ୍ରମାଣିତ କରିପାରିବ ।

 

ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ କ୍ଷେତ୍ରରେ ‘ଜୀ ଏଣ୍ଟରନେଟମେଣ୍ଟ ଏଣ୍ଟରପ୍ରାଜର୍ସ’ ପକ୍ଷରୁ ୨୦୨୩ ଶେଷ ସୁଦ୍ଧା ବ୍ୟାପକ ଆୟୋଜନ କରାଯାଇପାରିଥିଲା । ବାଙ୍ଗାଲୁରଠାରେ ‘ଜୀ ଟେକନୋଲଜି ଇନୋଭେସନ ସେଣ୍ଟର’ଠାରେ ‘ଚାଟ-ଜିପିଟି’ ପ୍ରଯୁକ୍ତି କୌଶଳ ଉନ୍ମୋଚନ ପରେ ପରେ ଟେଲିଭିଜନ ଓ ଚଳଚ଼ିତ୍ର ନିର୍ମାଣ କ୍ଷେତ୍ରରେ କିପରି ଫଳପ୍ରଦ ବ୍ୟବହାର କରାଯାଇପାରିବ ସେ ଦିଗରେ ଉଦ୍ୟମ ଆରମ୍ଭ ହୋଇଥିଲା । ଅନ୍ତତଃ ଆଠ ମାସର ପ୍ରଚ଼େଷ୍ଟାରେ ହିନ୍ଦି ଧାରାବାହିକୀ ଚ଼ିତ୍ରନାଟ୍ୟ, କାହାଣୀ, ନାଟକୀୟ ଉତ୍କଣ୍ଠା ଇତ୍ୟାଦି ସମୀକ୍ଷା କରିବା ଉଦ୍ଦେଶ୍ୟରେ ପ୍ରଯୁକ୍ତି କୌଶଳ ନିର୍ମିତ ହୋଇପାରିଥିବା ପ୍ରକାଶ ।

 

ସୃଜନ କୃତ୍ରିମ ବୁଦ୍ଧିମତ୍ତା ମୂଳ ପ୍ରଯୁକ୍ତି କୌଶଳ ସହ ୪୨ ହଜାର ଟେଲିଭିଜନ ଧାରାବାହିକୀ ଅଧ୍ୟାୟ ‘ଏପିସୋଡ଼’ର ଟିକିନିଖି ବିବରଣୀ ଆକାରରେ ପ୍ରାୟ ୧୩ ଲକ୍ଷ ବିଷୟ ସନ୍ନିବଶିତ ‘ଟ୍ରେନିଂ’ କରାଯାଇଥିଲା । ବିକଶିତ ‘ସ୍କ୍ରିପ୍ଟ-ଜିପିଟି’କୁ କୌଣସି ଏକ କାହାଣୀ, ଚରିତ୍ର ଓ ଦୃଶ୍ୟାବଳୀର ସୂଚନା ଦେଲେ ସ୍ୱୟଂକ୍ରିୟ ଭାବେ ମୌଳିକ ଚ଼ିତ୍ରନାଟ୍ୟ ପ୍ରସ୍ତୁତ କରିପାରିବ । ଠିକ ସେହିପରି କାହାଣୀର ନାଟକୀୟ ମୋଡ଼ର ଲୋକପ୍ରିୟତା ଆକଳନ ସହ ଚ଼ିରିତ୍ରମାନଙ୍କ ଭୂମିକା ପରିବର୍ତ୍ତନ ନିମନ୍ତେ ମଧ୍ୟ ପରାମର୍ଶ ଦେଇ ପାରିବ । ସରଳ ଭାବେ ବୁଝାଇ କହିଲେ ମନୁଷ୍ୟ ପକ୍ଷେ ଏହି ସବୁ କାର୍ଯ୍ୟ ସାଧନ ସମୟସାପେକ୍ଷ ଥିବା ସ୍ଥଳେ ‘ସ୍କ୍ରିପ୍ଟ-ଜିପିଟି’ ମୂହୁର୍ତ୍ତକ ମଧ୍ୟରେ ରଚନା ପ୍ରସ୍ତୁତ କରିପାରିବ ।

 

ପାରମ୍ପରିକଭାବେ ଚ଼ିତ୍ରନାଟ୍ୟ ରଚନା ଦୀର୍ଘ ସମୟ ଆବଶ୍ୟକ କରୁଥିବା ତଥା ପ୍ରସ୍ତୁତ ରୂପରେଖକୁ ବଦଳାଇବା କାଠିକର ପାଠ ଥିବା ସ୍ଥଳେ ଏଆଇ ଉପଯୋଗରେ କମ ସମୟ ଓ ବହୁ ବାର ରୂପାନ୍ତରର ସୁବିଧା ଉପଲବ୍ଧ ହେବ । ଫଳରେ ବଳିଷ୍ଠ ଚ଼ିତ୍ରନାଟ୍ୟ ପ୍ରସ୍ତୁତି ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିବ । ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଚ଼ିତ୍ରନାଟ୍ୟ ରଚ଼ନା, ଚରିତ୍ର ଚ଼ିତ୍ରଣ ଓ କାହାଣୀ ପ୍ରସ୍ତୁତ ହେବାପରେ ସେଗୁଡ଼ିକ ଦର୍ଶକ ମହଲରେ କିପରି ଆଦୃତି ଲାଭକରିବ, ସେ ଦିଗରେ କୌଣସି ସମୀକ୍ଷାର ସୁବିଧା ନଥିବା ସ୍ଥଳେ ଏଆଇ ‘ସ୍କ୍ରିପ୍ଟ-ଜିପିଟି’ ସହାୟତା ପ୍ରଦାନ କରିବ । ଫଳରେ କାର୍ଯ୍ୟକ୍ରମର ଗୁଣବତ୍ତା ବୃଦ୍ଧି ନିମନ୍ତେ ପଥ ପ୍ରଶସ୍ତ ହୋଇପାରିବ ।

 

ଜୀ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ‘ସ୍କ୍ରିପ୍ଟ-ଜିପିଟି’ର ଗୁଣାତ୍ମକ ବିକାଶ ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଛି । ଏଥିରେ ସନ୍ନିବଶିତ ଧାରାବାହିକୀ ଅଧ୍ୟାୟ ସଂଖ୍ୟା ୨୦୨୪ ସୁଦ୍ଧା ଏକ ଲକ୍ଷକୁ ବୃଦ୍ଧି କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ସୃଜନ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାରରେ ବିଭିନ୍ନ କାର୍ଯ୍ୟକ୍ରମର ବୌଦ୍ଧିକ ସତ୍ତ୍ୱ ସୁରକ୍ଷା ନିମନ୍ତେ ସାବଧାନତା ସର୍ବାପେକ୍ଷା ଗୁରୁତ୍ୱ ବହନ କରେ । ବହୁ ସଂଖ୍ୟକ ପୂର୍ବପ୍ରସ୍ତୁତ କାର୍ଯ୍ୟକ୍ରମ ଓ ସେଗୁଡ଼ିକ ବ୍ୟବହାର କରିବା ନିମନ୍ତେ ଅନୁମତି ହାସଲରେ ହିଁ ଏହି ବୈଷୟିକ କୌଶଳର ଅଭିବୃଦ୍ଧି ସଂଭବ । ‘ସ୍କ୍ରିପ୍ଟ-ଜିପିଟି’ର ଉଦାହରଣ ପରକୁ ‘ଏରୋସ ନାଓ’ ପକ୍ଷରୁ ‘ଇଣ୍ଡିଆନ ଇନଷ୍ଟିଟିଉଟ ଅଫ ଟେକନୋଲଜି’ ମୁମ୍ୱାଇର ସହଯୋଗକ୍ରମେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ଚ଼ିତ୍ରନାଟ୍ୟ ପ୍ରସ୍ତୁତଲାଗି ପ୍ରଯୁକ୍ତି କୌଶଳ ବିକାଶ ନିମନ୍ତେ ଉଦ୍ୟମ କରାଯାଉଛି ।

 

ଟେଲିଭିଜନ, ଚଳଚ଼ିତ୍ର ନିମନ୍ତେ ଚ଼ିତ୍ରନାଟ୍ୟ ରଚନାରେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗର ପ୍ରାଥମିକ ସଫଳତାର ବିବରଣୀରେ ଉଲ୍ଲେଖଯୋଗ୍ୟ ବିଷୟ ମଧ୍ୟରେ ପ୍ରଥମତଃ, ଭାରତୀୟ ପରିବେଶରେ ଚ଼ିତ୍ରନାଟ୍ୟ ରଚନାରେ ଏଆଇର ପ୍ରବେଶକୁ ବିରୋଧ କରାଯାଉନାହିଁ । ଦ୍ୱିତୀୟତଃ, ଏହି ନୂତନ ବୈଷୟିକ କୌଶଳ ଚ଼ିତ୍ରନାଟ୍ୟ ଲେଖକଙ୍କ ଭୂମିକା ଗୌଣ କରିଦେବା ବଦଳରେ ଚ଼ିତ୍ରନାଟ୍ୟ ରଚନାର ଗୁଣାତ୍ମକ ବିକାଶ ନିମନ୍ତେ ଲେଖକକୁ ସହଯୋଗ କରୁଛି । ପାରମ୍ପରିକଭାବେ ପ୍ରସ୍ତୁତ ଚ଼ିତ୍ରନାଟ୍ୟଗୁଡ଼ିକର ସମୀକ୍ଷା ନିମନ୍ତେ ଯୁକ୍ତିଯୁକ୍ତ ସୁଯୋଗ ଅଭାବ ଥିବା ସ୍ଥଳେ ବିକଳ୍ପ ବ୍ୟବସ୍ଥା ସୃଷ୍ଟି ହୋଇପାରିଛି । ତୃତୀୟତଃ, ଉନ୍ନତ ଚ଼ିତ୍ରନାଟ୍ୟ ଅପେକ୍ଷାକୃତ ଉଚ୍ଚମାନର ଟେଲିଭିଜନ, ଚଳଚ଼ିତ୍ର କାର୍ଯ୍ୟକ୍ରମ ପ୍ରଯୋଜନାରେ ରୂପାନ୍ତରିତ ହେଲେ ତାହା ଅଧିକ ଦର୍ଶକୀୟ ସ୍ୱୀକୃତି ଲାଭ କରିବ ଏବଂ ଆର୍ଥିକ ଲାଭରେ ପର୍ଯ୍ୟବଶିତ ହେବ । ଏହି ସମସ୍ତ ଯୁକ୍ତି ସୃଜନ କୃତ୍ରିମ ବୁଦ୍ଧିମତ୍ତାର ସକାରାତ୍ମକ ଦିଗକୁ ଇଙ୍ଗିତ କରିଥାଏ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ନଭେମ୍ୱର ୨୦୨୩


ତଥ୍ୟ:

 

Kohli-Khandekar, Vanita. Binary steals The Show. Business Standard (Bhubaneswar Edition). October 30, 2023

ଆଶା ଓ ଆଶଙ୍କାରେ ସୃଜନ କୃତ୍ରିମ ବୁଦ୍ଧିମତ୍ତା 

ସୃଜନ କୃତ୍ରିମ ବୁଦ୍ଧିମତ୍ତା ‘ଜେନେରେଟିଉଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ସମ୍ୱଳିତ ଚାଟ-ଜିପିଟି ନଭେମ୍ୱର ୨୦୨୨ରେ ଲୋକାର୍ପଣର ବର୍ଷକ ମଧ୍ୟରେ ୨୦୨୩ ସୁଦ୍ଧା ବିଭିନ୍ନ ଭାଷାରେ ଡଜନେ ସରିକି ପ୍ରତିଦ୍ୱନ୍ଦୀ ମଞ୍ଚ ଆତ୍ମପ୍ରକାଶ ତଥା ବର୍ଷବ୍ୟାପୀ ଏହି ନୂତନ ପ୍ରଦ୍ୟୋଗୀକି କୌଶଳର ସମ୍ଭାବ୍ୟ ପ୍ରଭାବ ସଂପର୍କରେ ଆକଳନ ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରିଥିଲା । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଚାଟ-ଜିପିଟି, ବାର୍ଡ ଭଳି ଅତ୍ୟାଧୁନିକ ତଥା ଜଟିଳ ପ୍ରଯୁକ୍ତି କୌଶଳ ସ୍ମାର୍ଟଫୋନରେ ଆପ ଯୋଗେ ଉପଲବ୍ଧ ହେବାପରେ ସାପ୍ତାହିକ ଭିତ୍ତିରେ ବିଶ୍ୱବ୍ୟାପୀ ଦଶ କୋଟି ଯାଏଁ ଉପଭୋକ୍ତା ବ୍ୟବହାର କରୁଥିବା ହିସାବ ପ୍ରକାଶ ପାଇଛି । ଅର୍ଥାତ, ପ୍ରତି ମୂହୁର୍ତ୍ତରେ ଚାଟ-ଜିପିଟି ଲକ୍ଷାଧିକ ପ୍ରଶ୍ନକର୍ତ୍ତାଙ୍କୁ ନିଜ ଅନ୍ତଃ-ସମ୍ପଦ ଆଧାରରେ ଅନବରତ ଉତ୍ତର ଦେଇ ଚାଲିଛି । ଏହି ପ୍ରକ୍ରିୟାରେ କେତେଦୂର ସାମାଜିକ ମଙ୍ଗଳ ସାଧିତ ହେଉଛି ନା ଅମଙ୍ଗଳରେ ପର୍ଯ୍ୟବଶିତ ହେଉଛି ତାହାର ହିସାବକୁ ଅପେକ୍ଷା କରାଯାଉଛି । ଆଶା ଓ ଆଶଙ୍କାରେ ସୃଜନ କୃତ୍ରିମ ବୁଦ୍ଧିମତ୍ତାର ଏହି ଅଭିଯାନ ସାମଗ୍ରିକଭାବେ ସମାଜର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିଛି ।

 

ଚାଟ-ଜିପିଟି ଭଳି ପ୍ରଯୁକ୍ତି କୌଶଳ ବୃହତ ଭାଷା ଶୃଙ୍ଖଳ ‘ଲାର୍ଜ ଲାଙ୍ଗୁଏଜ ମଡ଼େଲ’ ଆଧାରିତ । ‘ଜିପିଟି’ ଜେନେରେଟିଭ ପ୍ରି-ଟ୍ରେନଡ଼ ଟ୍ରାନ୍ସଫରମରକୁ ବୁଝାଏ । ଏହି ପ୍ରଯୁକ୍ତି କୌଶଳକୁ ଯେଉଁ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ଉପାଦାନ ‘କଣ୍ଟେଣ୍ଟ’ ଗୁଡ଼ିକ ସହ ପରିଚ଼ିତ କରି ତାଲିମ ଦିଆଯାଇଥାଏ ପରବର୍ତ୍ତୀ ପର୍ଯ୍ୟାୟରେ ସେହି ସୂଚ଼ନା ଆଧାରରେ ଚାଟବଟ ପ୍ରଶ୍ନ ଗୁଡ଼ିକର ଉତ୍ତର ପ୍ରସ୍ତୁତ କରିଥାଏ । ମନୁଷ୍ୟ ସୂଚ଼ନା ଆହରଣ କଲା ପରେ ତାହାକୁ ବୁଝି ନିଜସ୍ୱ ଦୃଷ୍ଟିଭଙ୍ଗୀରେ ପ୍ରତିକ୍ରିୟା ପ୍ରକାଶ କରେ । କିନ୍ତୁ ପ୍ରଯୁକ୍ତି କୌଶଳ ଭାବାର୍ଥ ଚ଼ିହ୍ନଟ କରି କେବଳ ଶବ୍ଦଗୁଡ଼ିକ ସଜାଡ଼ି ଦେଇଥାଏ । ତେବେ ଏହି ପ୍ରକ୍ରିୟା ଏତେ କ୍ଷୀପ୍ର ଓ ଶୃଙ୍ଖଳିତ ଯେ ଖ୍ୟାତନାମା ବିଜ୍ଞାନ ଗବେଷଣା ପତ୍ରିକା ‘ସାଇନ୍ସ’ ଅଭିମତରେ ‘ଜିପିଟି-୩’ ଦ୍ୱାରା ପ୍ରସ୍ତୁତ ରଚନାବଳୀକୁ ମାନବୀୟ ସୃଜନଠାରୁ ଉଚ୍ଚରେ ସ୍ଥାନୀତ କରାଯାଇଥିଲା ।

 

ଚାଟ-ଜିପିଟି ଲୋକାର୍ପଣ ବହୁ ପୂର୍ବରୁ କୃତ୍ରିମ ବୁଦ୍ଧିମତ୍ତା ଜ୍ଞାନ-କୌଶଳ ଆଧାରିତ ବହୁ ଉପକ୍ରମ ବ୍ୟାବହାରିକସ୍ତରରେ ପହଞ୍ଚି ସାରିଥିଲା । ଡିଜିଟାଲ ଆସିଷ୍ଟାଣ୍ଟ ଆଲେକ୍ସା ଓ ଶିରି, ଫେସିଆଲ ରିକଗ୍ନିସନ, ବିଜ୍ଞାପନ ପ୍ରୋଫାଇଲିଂ, ଡ଼େଟିଂଆପ, ଡିପଫେକ ଭିଡ଼ିଓ ବହୁଳ ପ୍ରସାର ଘଟିଥିଲା । କ୍ରମାନ୍ୱୟରେ ବିଭିନ୍ନ କ୍ଷେତ୍ରରେ ଯାନ୍ତ୍ରିକ ସୁବିଧାସୁଯୋଗ ସୃଷ୍ଟିରେ ଇ-କମର୍ସ ମଞ୍ଚ ଗୁଡ଼ିକରେ ଏଆଇ ଉପଯୋଗରେ ଡ଼ିଜିଟାଲ ମଞ୍ଚରେ ଉପଭୋକ୍ତାଙ୍କ ଗତିବିଧି ବିଚାରକୁ ନେଇ ସେବା ବା ସାମଗ୍ରୀ ବିଜ୍ଞାପନ ଓ ବିକ୍ରୀବଟା ପ୍ରମୁଖ ସ୍ଥାନ ଅଧିକାର କରେ । ବିଶ୍ୱବ୍ୟାପୀ କୋଭିଡ଼-୧୯ ମହାମାରୀ-ପର ‘ନ୍ୟୂ-ନରମାଲ’ରେ ଇ-କମର୍ସ ବୃଦ୍ଧି ପାଇ ଚାଲିଥିବା ଅବସରରେ ଏଆଇ ଶୃଙ୍ଖଳିତ ବ୍ୟବସାୟ ଓ ବିକ୍ରୀ ବୃଦ୍ଧି ପାଇଁ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରିପାରିଛି ।

 

ଚୀନରେ ୨୦୧୮ରେ ବ୍ୟାଙ୍କଗୁଡ଼ିକ ଉପଭୋକ୍ତାଙ୍କୁ ଋଣ ପ୍ରଦାନ କାଳରେ ସେମାନଙ୍କ ଆର୍ଥିକ ସ୍ଥିତି ଓ ଦୃଷ୍ଟିଭଙ୍ଗୀ ତତକ୍ଷଣାତ ଆକଳନ କରିବାଲାଗି କୃତ୍ରିମ ବୁଦ୍ଧିମତ୍ତା ସମ୍ୱଳିତ ପ୍ରଯୁକ୍ତି କୌଶଳ ବ୍ୟବହାର ଆରମ୍ଭ କରିଥିଲେ । କୌଣସି ବିଷୟରେ ରଚନା ସାଙ୍ଗକୁ ପତ୍ର ଲିଖନ, ଗୋଟିଏ ପତ୍ରକୁ ବହୁସଂଖ୍ୟକ ପ୍ରାପକଙ୍କ ନିମନ୍ତେ ବ୍ୟକ୍ତିଗତ ପତ୍ରରେ ପରିଣତ, ରଚନାର ସାରାଂଶ, ଅନୁବାଦ ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟାବଳୀ ‘ଚାଟ-ଜିପିଟି’ ମାଧ୍ୟମରେ ସମାହିତ ହୋଇପାରୁଛି । ‘ଫେସ ସ୍ୱାପ’ ଟୁଲସ ଦ୍ୱାରା ଫୋଟ ବା ଭିଡ଼ିଓରେ ଜଣକର ମୁଖମଣ୍ଡଳର ଚ଼ିତ୍ର ଅନ୍ୟର ମୁଖମଣ୍ଡଳରେ ସ୍ଥାପିତ କରାଯାଇପାରୁଛି । ‘ସିନ୍ଥାସିଆ’ ଟୁଲସ ଉପଯୋଗରେ ପ୍ରସ୍ତୁତ କୃତ୍ରିମ ଚ଼ରିତ୍ର ଦ୍ୱାରା ରଚନା ପାଠର ବ୍ୟବସ୍ଥା ସଂଭବ ହୋଇପାରୁଛି ।   ଏପରିକି ଗଳ୍ପ, ଉପନ୍ୟାସ ବା ପୁସ୍ତକ ରଚନା ସୃଜନ କୃତ୍ରିମ ବୁଦ୍ଧିମତ୍ତାର ସହଯୋଗ ନିଆଯାଉଛି ।

 

‘ସୁଡୋରାଇଟ ଡ଼ଟ କମ’ ନାମକ ଏକ ଦେୟଯୁକ୍ତ ୱେବସାଇଟରେ ଲେଖକ ସ୍ମାରକ ‘ପ୍ରମ୍ପଟର’ ଭୂମିକା ନିର୍ବାହ କଲେ ପ୍ରଦତ୍ତ ନିର୍ଦ୍ଦେଶ ପ୍ରକାରେ ସଫଟୱେର ଦୀର୍ଘ ରଚନା ପ୍ରସ୍ତୁତ କରିପାରୁଛି । କୌତୁହଳର ବିଷୟ ଏହି ଭଳି ପ୍ରଯୁକ୍ତିକୌଶଳରେ କେତେକ ବ୍ୟକ୍ତି ଦିନକ ମଧ୍ୟରେ ବହୁ ସଂଖ୍ୟକ ପୁସ୍ତକ ରଚନା କରି ‘ଆମେଜନ’ର ଆତ୍ମ-ପ୍ରକାଶନ ବିଭାଗରେ ଭିଡ଼ ଜମାଇଥିଲେ । ଫଳରେ ‘ଆମେଜନ’ ଆତ୍ମ-ପ୍ରକାଶନ ‘ଅର୍ଡର-ଟୁ-ପ୍ରିଣ୍ଟ’ ମଞ୍ଚରେ ଜଣେ ବ୍ୟକ୍ତି ଦିନକୁ ମାତ୍ର ତିନିଗୋଟି ପୁସ୍ତକ ପ୍ରକାଶିତ କରିପାରିବ ବୋଲି ସୀମା ଧାର୍ଯ୍ୟ କରିବାକୁ ବାଧ୍ୟ ହେଲା । ‘କ୍ଳାର୍କସ ୱାର୍ଲ୍ଡ’ ଭଳି ନାମୀ ପୁସ୍ତକ ପ୍ରକାଶନ ସଂସ୍ଥା ଅଜଣା ଲେଖକଙ୍କଠାରୁ ପୁସ୍ତକ ପ୍ରକାଶନ ଲାଗି ପାଣ୍ଡୁଲିପି ଗ୍ରହଣ ବନ୍ଦ କରିଦେଇଥିଲା । କୁହାଯାଉଛି ‘ସୁଡ଼ୋରାଇଟ ଡ଼ଟ କମ’ ଭଳି ୱେବସାଇଟ ସହଯୋଗରେ ଜଣେ ଲେଖକ ସପ୍ତାହକ ମଧ୍ୟରେ ଏକ ମୌଳିକ ଉପନ୍ୟାସ ରଚନା କରିବା ସଂଭବ ।

 

ସୃଜନ କୃତ୍ରିମ ବୁଦ୍ଧିମତ୍ତା ଚାଟବଟ ମାଧ୍ୟମରେ ପ୍ରଣୟନୀ ପ୍ରାପ୍ତି ଅନ୍ୟ ଏକ ରୋମାଞ୍ଚକର ଅନୁଭୂତି । ହଲିଉଡ଼ରେ ୨୦୧୩ରେ ‘ହେର’ ନାମକ ଏକ ଚଳଚ଼ିତ୍ର ବହୁଳ ଚର୍ଚ୍ଚିତ ହୋଇଥିଲା । ଚଳଚ଼ିତ୍ରଟିର ନାୟକ ଜଣେ ଲେଖକ । କମ୍ପ୍ୟୁଟର ବ୍ୟବହାରରେ ଦୈନିକ ଦୀର୍ଘ ସମୟ ଅତିବାହିତ କରିବା ଅବସରରେ ସେ ଏକ ସଫଟୱେରର ପ୍ରେମରେ ପଡ଼ିଯାଇଥିଲେ । ଏପରି ପରିସ୍ଥିତି ପହଞ୍ଚିଥିଲା ଯେ ଲେଖକ ଜଣକ ସଫଟୱେର ପ୍ରଣୟନୀଙ୍କ ସାନ୍ନିଧ୍ୟରେ ବାସ୍ତବ ଦୁନିଆରୁ ଏକ ରକମ ଦୂରେଇ ଯାଇଥିଲେ । ଏହି ଚଳଚ଼ିତ୍ର ନିର୍ମାଣର ଦଶ ବର୍ଷ ପରେ ୨୦୨୩ରେ ସଂପର୍କ ଆପ ବା ‘ରିଲେସନସିପ ଆପ’ର ଦେୟଯୁକ୍ତ ସେବା ଉପଲବ୍ଧ । ‘ରେପ୍ଳିକା ଡ଼ଟ କମ’, ‘ରୋମାଣ୍ଟିକଏଆଇ ଡଟ କମ’ ଓ ‘ଇଭାଏପ ଡ଼ଟ ଏଆଇ’ ଭଳି ମଞ୍ଚରେ କୌଣସି ବ୍ୟକ୍ତି ନିଜ ମନମୁତାବକ ବନ୍ଧୁ ବା ବାନ୍ଧବୀ ଖୋଜି ପାଇପାରିବ ।

 

ସଂପର୍କ ଆପ ବ୍ୟବହାର ନିମନ୍ତେ ନିର୍ଦ୍ଦିଷ୍ଟ ମଞ୍ଚରେ ସଦସ୍ୟ ଚାନ୍ଦା ଦେବାକୁ ପଡ଼େ । ଉଦାହରଣରେ ‘ରୋମାଣ୍ଟିକଏଆଇ ଡ଼ଟ କମ’ ମଞ୍ଚ ସାପ୍ତାହିକ ୬୦୦ ଟଙ୍କା, ବାର୍ଷିକ ୩,୭୦୦ ଟଙ୍କା ଓ ଆଜୀବନ ୮,୩୦୦ ଟଙ୍କା ଚାନ୍ଦା ନିର୍ଦ୍ଧାରିତ । ପ୍ରତ୍ୟେକ ଉପଭୋକ୍ତାଙ୍କୁ ନିଜ କାଳ୍ପନିକ ସଙ୍ଗୀର ମନ ମୁତାବକ ରୂପ ପ୍ରସ୍ତୁତ କରିବାକୁ ସୁଯୋଗ ମିଳେ । ଜଣେ ନିଜର ପସନ୍ଦ ଜଣାଇଲେ ସେହି ରୂପରେ ‘ଅବତାର’ ପ୍ରସ୍ତୁତ ହୁଏ । ମୋଟାମୋଟି ଭାବେ ‘ଅବତାର’ ଟେଲିଭିଜନରେ ପ୍ରସାରିତ ଏଆଇ ସମ୍ୱାଦ ଘୋଷିକା ଭଳି ରୂପକୁ ବୁଝାଯାଇପାରେ । ଏଣିକି ଉପଭୋକ୍ତା ନିଜ ସଙ୍ଗୀ ସହ ଚାଟିଂ, ମେସେଜିଂ, ଫୋଟ ଓ ଭିଡ଼ିଓ ବିନିମୟ କରିପାରେ । ଏଥିରେ କୌଣସି ସୀମା କିମ୍ୱା ସମୟ ନିର୍ଘଣ୍ଟର ପ୍ରତିବନ୍ଧକ ନଥାଏ ।

 

ବିଶେଷଜ୍ଞମାନେ ସଂପର୍କ ଆପଗୁଡ଼ିକର ଲୋକପ୍ରିୟତା ସଂପର୍କରେ ଆଶାବାଦୀ । ଏହି ଆପଗୁଡ଼ିକ ସହଚର ଭାବେ ଦାୟିତ୍ୱ ନିର୍ବାହ ସଙ୍ଗେ ସର୍ବଦା ସକାରାତ୍ମକ ସନ୍ଦେଶ ବିନିମୟ କରିଥାନ୍ତି । ଉପଭୋକ୍ତା ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର, ଦିନର ସବୁ ପ୍ରହରରେ ସହଚ଼ର୍ଯ୍ୟ ଓ ରାଗରୋଷ ଗାଳିମନ୍ଦରୁ ଦୂରରେ ଏକ ଜୀବନ୍ତ-ପ୍ରାୟ ସୂତ୍ର ଲାଭରେ ବିମୋହିତ ହୋଇପଡ଼େ । ଏହି ପ୍ରକ୍ରିୟାର ପ୍ରହେଳିକା ସଂପର୍କରେ ଅବଗତ ଥିଲେ ହେଁ ‘ନ୍ୟୂ-ନରମାଲ’ରେ ପାରିବାରିକ, ସାମାଜିକ ଓ ଅନିଶ୍ଚିତତା ମଧ୍ୟରେ ମାନସିକ ସନ୍ତୁଳନ ରକ୍ଷା ଲାଗି କୃତ୍ରିମ ବୁଦ୍ଧିମତ୍ତାର ଶରଣାପନ୍ନ ହେବା ଅସଂଭବ ନୁହେଁ ।

 

ଯନ୍ତ୍ର ଓ ମନୁଷ୍ୟର ଏତାଦୃଶ ନିବିଡ଼ ସଂପର୍କ ପାରମ୍ପରିକ ସାମାଜିକ ପ୍ରବାହରେ ବିଘଟନ ସୃଷ୍ଟି କରିବ ବୋଲି ମତପ୍ରକାଶ ପାଇଥାଏ । କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବରେ ବହୁ ସଂଖ୍ୟକ ନିଯୁକ୍ତି ହାନୀ ସର୍ବାପେକ୍ଷା ଉଦବେଗ ସୃଷ୍ଟି କରିଥାଏ । ବିଶ୍ୱ ଅର୍ଥନୀତି ମଞ୍ଚ ପକ୍ଷରୁ ପ୍ରକାଶିତ ‘ଫିଉଚ଼ର ଅଫ ଜବସ ରିପୋର୍ଟ ୨୦୨୩’ ରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟାପକ ବ୍ୟବହାରରେ ବିଶ୍ୱବ୍ୟାପୀ ୩୦ କୋଟି ବ୍ୟକ୍ତି ନିଯୁକ୍ତି ହରାଇବା ଆକଳନ କରାଯାଇଛି । ‘ଗୋଲଡ଼ମେନ ସାସେସ’ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନରେ ଦୁଇ-ତୃତୀୟାଂଶ କାର୍ଯ୍ୟରେ ଊଣାଅଧିକେ କୃତ୍ରିମ ବୁଦ୍ଧିମତ୍ତାର ସହଯୋଗ ନିଆଯାଉଛି । ଏହି ଧାରା ବୃଦ୍ଧିପ୍ରାପ୍ତ ହେଲେ ବ୍ୟାପକ କର୍ମଚାରୀ ଛଟେଇ ଅବଶ୍ୟମ୍ଭାବୀ ।

 

‘ନେଚର’ ପତ୍ରିକାର ଏକ ସଂପାଦକୀୟରେ ପ୍ରକାଶ ପାଇଛି ଯେ ଆମ ସଭ୍ୟତାରେ ପ୍ରଥମ ଥର ପାଇଁ ଏକ ବୈଷୟିକ କୌଶଳର ପ୍ରଯୋଜକମାନେ ତାହାର ଭବିଷ୍ୟତ ସଂପର୍କରେ ସନ୍ଦୀହାନ ଓ ଏହି ପଦ୍ଧତିର ନିୟନ୍ତ୍ରଣ ନିମନ୍ତେ ବାହ୍ୟ ଶକ୍ତି ଦ୍ୱାରା ଆଇନକାନୁନ ବ୍ୟବସ୍ଥା କରିବାଲାଗି ମତ ପ୍ରକାଶ କରୁଛନ୍ତି । ସୃଜନ କୃତ୍ରିମ ବୁଦ୍ଧିମତ୍ତାର ଅଗ୍ରଣୀ ପ୍ରଯୋଜକ ‘ଚାଟ-ଜିପିଟି’ର ପ୍ରସ୍ତୁତକର୍ତ୍ତା ‘ଓପନ-ଏଆଇ’ ପରିଚାଳନା ମଣ୍ଡଳୀରେ ନଭେମ୍ୱର ୨୦୨୩ରେ କନ୍ଦଳ ଅନେକଙ୍କୁ ବିସ୍ମିତ କରିଛି । ସୃଜନ କୃତ୍ରିମ ବୁଦ୍ଧିମତ୍ତାର ଉଚ୍ଚସ୍ତର ବିକାଶ ନିମନ୍ତେ ବିଶ୍ୱବ୍ୟାପୀ ଗବେଷଣା ଜାରିରହିଥିବା ସ୍ଥଳେ ‘ଓପନ-ଏଆଇ’ର ‘କ୍ୟୂ-ଷ୍ଟାର’ ଭଳି ବୈଷୟିକ କୌଶଳ ମାନବ ସଭ୍ୟତା ପାଇଁ ବିପଦର କାରଣ ପାଲଟି ପାରେ ବୋଲି ଆଶଙ୍କା ଉଦବେଗ ସୃଷ୍ଟି କରିବା ସ୍ୱାଭାବିକ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଡ଼ିସେମ୍ୱର ୨୦୨୩


ତଥ୍ୟ:

 

Mehera, Anurag. Demystifying Artificial Intelligence. The India Forum. November 23, 2023

 

https://www.theindiaforum.in/technology/demystifying-artificial-intelligence-part-i

 

Taylo, Josh. Uncharted territory : Do AI girlfriend apps promote unhealthy expectations for human relationships ? The Guardian. July 22, 2023

 

https://www.theguardian.com/technology/2023/jul/22/ai-girlfriend-chatbot-apps-unhealthy-chatgpt#:~:text=When%20you%20sign%20up%20for,sending%20explicit%20messages%20and%20photos.