ଅଡ଼ିଓ

ଅଡିଓ ବୁକ୍ସ

ଆନ୍ତର୍ଜାତିକ ସାହିତ୍ୟ ଶିଳ୍ପରେ ଅଡ଼ିଓବୁକ୍ସ ଏକ ମୌଳିକ ଧାରା ରୂପେ ସ୍ୱୀକୃତି ଲାଭ କରିବାରେ ଲାଗିଛି । ଖ୍ୟାତନାମା ପ୍ରକାଶକମାନଙ୍କ ଅଡିଓବୁକ୍ସପ୍ରକାଶନଗତ ତଥ୍ୟ ଅନୁଶୀଳନ କଲେ ‘ମ୍ୟାକମିଲେନ’ଙ୍କ ୨୦୧୭ ତୁଳନାରେ ୨୦୧୮ରେ ଅଡ଼ିଓବୁକ୍ସ ପ୍ରକାଶନ ୪୬ ପ୍ରତିଶତ ବଢ଼ିଥିବା ଲକ୍ଷ୍ୟ କରାଯାଏ ।‘ହେଚ଼େଟ’ ଭଳି ପ୍ରକାଶକଙ୍କ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଅଡ଼ିଓ ବୁକ୍ସ ପ୍ରକାଶନ ସଂଖ୍ୟା ଦୁଇଗୁଣିତ ହୋଇଛି । ଅବଶ୍ୟ ପରିସଂଖ୍ୟାନ ଦୃଷ୍ଟିରୁ ବିଚ଼ାରକଲେ ମୁଦ୍ରିତ ପୁସ୍ତକ ତୁଳନାରେ ଅଡ଼ିଓବୁକ୍ସର ସଂଖ୍ୟା ନଗଣ୍ୟ ।ତେବେ ପୁସ୍ତକର ଏକ ସହଯୋଗୀ ପ୍ରକାଶନ ରୂପେ ଏହାର ଆବିର୍ଭାବ ଓ ଲୋକପ୍ରିୟତା ସାହିତ୍ୟ ମହଲରେ ଆଲୋଡ଼ନ ସୃଷ୍ଟି କରିବା ସ୍ୱାଭାବିକ ।


ଅନଲାଇନ ବ୍ୟାବସାୟିକ ମଞ୍ଚ ‘ଆମେଜନ’ଅଡ଼ିଓବୁକ୍ସରସର୍ବବୃହତ୍ତ ପ୍ରକାଶକ ।‘ଆମେଜନ’ ଏହାର ଅଡ଼ିଓବୁକ୍ସ ପ୍ରକାଶନ ଓ ପ୍ରସାରଣ ଦାୟିତ୍ୱ ‘ଅଡ଼ିବଲ’ମାଧ୍ୟମରେ ସମାହିତ କରିଥାଏ ।ଅଡ଼ିଓବୁକ୍ସ ପ୍ରକାଶନ ସଂସ୍ଥା ‘ଅଡ଼ିବେଲ’କୁ ‘ଆମେଜନ’ ୨୦୦୮ରେ ଅଧିଗ୍ରହଣ କରିଥିଲା ।‘ଅଡ଼ିବେଲ’ରେ ପ୍ରାୟ ୪,୨୫,୦୦୦ ଅଡ଼ିଓବୁକ୍ସ ଗଚ୍ଛିତ ରହିଛି । ଏଭଳି ଅଡ଼ିଓବୁକ୍ସ ଉପଭୋଗ କରିବା ନିମନ୍ତେ ଶ୍ରୋତାମାନଙ୍କୁ ମାସିକ ଦେୟ ପ୍ରଦାନ କରି ଗ୍ରାହକଶ୍ରେଣୀଭୁକ୍ତ ହେବାକୁ ପଡିଥାଏ । ପ୍ରତ୍ୟେକ ଗ୍ରାହକ ମାସିକ ଗୋଟିଏ ଅଡ଼ିଓବୁକ୍ସ ମାଗଣା ଡ଼ାଉନଲୋଡ଼ କରିବା ସୁଯୋଗ ପାଇଥାନ୍ତି।‘ଆମେଜନ’କର୍ତ୍ତୃତ ପ୍ରକାଶିତ ଅଡ଼ିଓବୁକ୍ସଗୁଡ଼ିକର ଦାମ ପ୍ରତିକିତା ୧,୦୫୦ ରୁ ୨,୮୦୦ ଟଙ୍କା ଧାର୍ଯ୍ୟ ହୋଇଥାଏ ।


୨୦୧୮ରେ ଆଗଧାଡ଼ିରଆନ୍ତର୍ଜାତିକସ୍ତରରର ପ୍ରକାଶକମାନେ ବିଗତ ବର୍ଷଗୁଡ଼ିକ ତୁଳନାରେ ଅଧିକ ଅଡ଼ିଓବୁକ୍ସ ପ୍ରକାଶନ କରିଛନ୍ତି ।‘ପେଙ୍ଗୁଇନରେଣ୍ଡମହାଉସ’ ୨୦୧୮ରେ ପ୍ରାୟ ୧୨୦୦ ଅଡ଼ିଓବୁକ୍ସ, ‘ହେଚେଟ’ ପ୍ରାୟ ୭୦୦ ଓ ‘ମ୍ୟାକମିଲେନ’ ପ୍ରାୟ ୪୭୦ ଅଡ଼ିଓବୁକ୍ସ ପ୍ରକାଶନ କରିଥିବା ପ୍ରକାଶ ।ଅଡ଼ିଓବୁକ୍ସର ବିକ୍ରୀ ମଧ୍ୟ ବେଶ ଉତ୍ସାହଜନକ ମନେ ହୁଏ ।‘ମ୍ୟାକମିଲେନ’ ପ୍ରକାଶିତ ମାଇକଲଉଲଫଙ୍କ‘ଫାୟର ଏଣ୍ଡ ଫ୍ୟୁରି’ ୩ ଲକ୍ଷ ୨୦ ହଜାର ଏବଂ ଜେମସକୋମିଙ୍କ‘ଏ ହାୟର ଲୟଲିଟି’ ଲକ୍ଷେ ୬୭ ହଜାର କିତା ବିକ୍ରୀ ହୋଇଥିବା ଜଣାଯାଏ ।


ମୁଦ୍ରିତ ପୁସ୍ତକର ‘ଅଡ଼ିଓବୁକ୍ସ’ ବିକଳ୍ପ ନୁହେଁ, ଏକ ସହଯୋଗୀଭାବେ ଗ୍ରହଣ କରାଯାଇପାରେ । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ପୁସ୍ତକ ପାଠକ କ୍ରମଶଃ ଶ୍ରୋତା କିମ୍ୱା ଦର୍ଶକରେ ରୂପାନ୍ତରିତ ହେବାରେ ଲାଗିଛନ୍ତି। ସମସାମୟିକ ବ୍ୟସ୍ତବହୁଳ ଜୀବନରେ ଅନେକେ ନିରୋଳାରେ ମୁଦ୍ରିତ ପୁସ୍ତକ ପଠନ ଲାଗି ପର୍ଯ୍ୟାପ୍ତ ସୁଯୋଗ ପାଇବା ସମ୍ଭବପର ହୋଇପାରୁ ନାହିଁ । ସେମାନଙ୍କ ପାଇଁ ଅଡ଼ିଓବୁକ୍ସ ଏକ ବିକଳ୍ପ ସୁଯୋଗ ସୃଷ୍ଟି କରିବାରେ ସମର୍ଥ ହୋଇଛି । ଏତଦ୍ ବ୍ୟତୀତ ଶାରିରୀକ ଅକ୍ଷମତା କାରଣରୁ ଦୃଷ୍ଟିବାଧିତ ଓ ପ୍ରବୃଦ୍ଧଙ୍କପକ୍ଷେପୁସ୍ତକ ପାଠ କରିବା ସମ୍ଭବପର ହୋଇପାରୁ ନଥିଲେ ସେମାନେ ଅଡ଼ିଓବୁକ୍ସ ମାଧ୍ୟମରେ ପୁସ୍ତକଗତ ତଥ୍ୟ ଆହରଣ ସମ୍ଭବପର ହୋଇପାରୁଛି ।ଅନ୍ୟ କେତେକଙ୍କ ପାଇଁ ଲେଖକ ମୁହଁରେ ଘଟଣା ଓ ଚରିତ୍ର ବର୍ଣ୍ଣନା ଏକ ଭିନ୍ନ ପରିବେଶ ସୃଷ୍ଟି କରୁଥିବା ହେତୁ ଅଡ଼ିଓବୁକ୍ସ ପ୍ରତି ଆଗ୍ରହାନ୍ୱିତ ହୋଇପଡୁଛନ୍ତି ।


‘ଅଡ଼ିବଲ’ଭଳି ଅଡ଼ିଓବୁକ୍ସ ପ୍ରକାଶକମାନେ ନିଜ ସ୍ୱତନ୍ତ୍ରତା ବଜାୟ ରଖିବା ନିମନ୍ତେ ବଡ଼ଲେଖକଙ୍କ ରଚ଼ନା କେବଳ ଅଡ଼ିଓବୁକ୍ସ ମାଧ୍ୟମରେ ପ୍ରକାଶ କରିବାକୁ ପଛାଉନାହାନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଲୋକପ୍ରିୟ ପତ୍ରିକା ‘ଭେନିଟିଫେୟାର’ର ସହବନ୍ଧିତ ଲେଖକ ମାଇକଲ ଲୁଇସ ୨୦୧୮ରେ ନିଜର ଏକ ରାଜନୀତିକ ରଚ଼ନା କେବଳ ‘ଅଡ଼ିବଲ’ରେ ପ୍ରକାଶ କରିଥିଲେ । ଏଭଳି ଉଦାହରଣ କ୍ୱଚ଼ିତ ହେଲେ ହେଁ ଅଡ଼ିଓବୁକ୍ସର ମୌଳିକତା ପ୍ରମାଣିତ କରିଥାଏ ।


ଥମାସଏଡ଼ିସନଙ୍କ ଦ୍ୱାରା ୧୮୭୭ରେ ଫୋନୋଗ୍ରାଫ ଉଦ୍ଭାବନ ଫଳରେ ଯାନ୍ତ୍ରିକଭାବେକଣ୍ଠସ୍ୱର ଲିପିବଦ୍ଧ କରିବା ସମ୍ଭବପର ହୋଇପାରିଥିଲା । ୧୯୩୦ ବେଳକୁ ଦୃଷ୍ଟିହୀନଙ୍କ ସକାଶେ ଅଡ଼ିଓବୁକ୍ସ ପରିକଳ୍ପନା ଆରମ୍ଭ ହୋଇଥିଲେ ହେଁ ୧୯୭୦ରେ କ୍ୟାସେଟର ପ୍ରଚଳନ ଅଡ଼ିଓବୁକ୍ସ ପ୍ରସାରରେ ସହାୟକ ହେଲା ।ତେବେ ୨୦୦୭ରେ ସ୍ମାର୍ଟଫୋନ ଉଦ୍ଭାବନ ଓ ତତ୍ପରବର୍ତ୍ତୀ ଅବସ୍ଥାରେ ଇଣ୍ଟରନେଟ ଓ ଇ-ବାଣିଜ୍ୟ ପ୍ରସାର ଅଡ଼ିଓବୁକ୍ସକୁ ଏକ ସାର୍ବଜନୀନ ପ୍ରକାଶନ ଶିଳ୍ପର ମାନ୍ୟତା ଦେଇଛି । ଭାରତରେ ୨୦୧୭ ଓ ୨୦୧୮ରେ ଅଡ଼ିଓବୁକ୍ସ ପ୍ରକାଶନ କ୍ଷେତ୍ରରେ ଦୃଷ୍ଟିଆକର୍ଷଣକାରୀଘଟଣାକ୍ରମମାନ ଚ଼ିହ୍ନଟ କରାଯାଇପାରେ ।


ସ୍ୱିଡ଼େନରଅଡ଼ିଓବୁକ୍ସ ପ୍ରକାଶନ ସଂସ୍ଥା ‘ଷ୍ଟୋରୀଟେଲ’ ଭାରତରେ ୨୦୧୭ ନଭେମ୍ୱର ମାସରେ କାର୍ଯ୍ୟାରମ୍ଭ କରିଥିଲା ।‘ଷ୍ଟୋରୀଟେଲ’ ପକ୍ଷରୁ ଇଂଲିଶ, ହିନ୍ଦି, ମରଠୀ, ବାଂଲା ଓ ଉର୍ଦ୍ଧୁ ଭାଷାରେ ଅଡ଼ିଓବୁକ୍ସ ପ୍ରକାଶିତ ହୋଇଥାଏ । ଏହି ମଞ୍ଚରେ ଭାରତୀୟ ଉପଭୋକ୍ତାମାନଙ୍କପାଇଁ ପ୍ରାୟ ୬୦ ହଜାର ଅଡ଼ିଓବୁକ୍ସ ଉପଲବ୍ଧ । ଏହି ମଞ୍ଚର ବ୍ୟବହାର ନିମନ୍ତେ ମାସିକ ୨୯୯ ଟଙ୍କା ବିନିମୟରେ ଗ୍ରାହକ ଶ୍ରେଣୀଭୁକ୍ତ ହେବାକୁ ପଡ଼ିଥାଏ । ୨୦୧୮ ମାର୍ଚ୍ଚରେ ଗୁଗଲ-ପ୍ଳେ ଏବଂ ୨୦୧୮ ନଭେମ୍ୱରରେ‘ଅଡିବଲ’ ଭାରତରେ ଅଡ଼ିଓବୁକ୍ସ ବ୍ୟବସାୟ ଆରମ୍ଭ କରିଥିଲେ ।‘ଅଡ଼ିବଲ’ ମଞ୍ଚରେ ଉପଲବ୍ଧ ଦୁଇ ଲକ୍ଷ ଅଡ଼ିଓବୁକ୍ସ ମଧ୍ୟରେ ଭାରତୀୟ ଲେଖକଙ୍କ ୪୦୦ ଗୋଟି କୃତୀ ଅର୍ନ୍ତଭୁକ୍ତ।ଅଣବ୍ୟାବସାୟିକ‘ପ୍ରଥମ ବୁକ୍ସ’ ପକ୍ଷରୁ ୨୦୧୭ରେ ‘ମିସଡ଼ କଲ ଦୋ, କାହାନିଶୁନୋ’ ଅଭିଯାନରେ ୫୦ ହଜାର ଶିଶୁଙ୍କୁ କାହାଣୀ ଶୁଣାଇବା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ସ୍ଥଳେ ୨୦୧୮ରେ ‘ଫୋନଷ୍ଟୋରିସ’ ଆରମ୍ଭ ହୋଇଥିଲା ।


ଲୋକପ୍ରିୟ ମାଳାୟଳମ ଔପନ୍ୟାସିକ ଅଖିଳଙ୍କ ଏକ ରହସ୍ୟ ଉପନ୍ୟାସ ‘ଓରଜା ବୋର୍ଡ’ ମୋବାଇଲ ଆପ୍ଲିକେସନ ‘କଥାକେଫ’ରେ ପାଞ୍ଚ ଘଣ୍ଟା ଅବଧିର ଏକ ଅଡ଼ିଓବୁକ୍ସ ୨୦୧୮ରେ ପ୍ରକାଶିତ ହେବା ଭାରତୀୟ ଭାଷାମାନଙ୍କରେ ଅଡ଼ିଓବୁକ୍ସର ପ୍ରକାଶନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ଏହି ଅଡ଼ିଓବୁକ୍ସ ଲେଖକ ନିଜେ ଉପନ୍ୟାସଟି ପାଠ ନକରି ଜଣେ ବୃତ୍ତିଧାରୀ ପ୍ରଚ୍ଛଦପଟ କଳାକାର ରେଜିଙ୍କ ଦ୍ୱାରା ରେକର୍ଡ଼ିଂ କରାଇଛନ୍ତି ।ଅଖିଳଙ୍କ ଉପନ୍ୟାସଟି ମୁଦ୍ରିତ ପୁସ୍ତକ ଆକାରରେ ୨୦୧୫ରେ ପ୍ରକାଶିତ ହେବା ଅବସରରେ ଅଲେପିର ଏକ ଶ୍ମଶାନରେ ଉନ୍ମୋଚ଼ନ କରାଇଥିଲେ ।‘କଥାକେଫ’ ୨୦୧୭ରେ ଜଣେ ପ୍ରବାସୀ ମାଳାୟଳିଙ୍କ ଦ୍ୱାରା ୨୦ ଗୋଟି କ୍ଷୁଦ୍ରଗଳ୍ପରଅଡ଼ିଓବୁକ୍ସକୁ ନେଇ ଉନ୍ମୋଚ଼ିତ ହୋଇଥିଲା । ଦୁଇବର୍ଷ ମଧ୍ୟରେ ଆପଟି ୧୫ ହଜାର ଡ଼ାଉନଲୋଡ଼ ହୋଇଥିବା ସ୍ଥଳେ ପ୍ରାୟ ଚ଼ାରି ହଜାର ଉପଭୋକ୍ତା ମାସିକଭିତ୍ତିରେ ସକ୍ରିୟ ଥିବା ଜଣାଯାଏ ।


ପ୍ରଶ୍ନ ଉଠେ ଓଡ଼ିଆ ଭାଷାରେ ଅଡ଼ିଓବୁକ୍ସ ଭବିଷ୍ୟତରେ ଆସ୍ଥାନ ଜମାଇ ପାରିବ କି ?ବିଶ୍ୱବ୍ୟାପୀ ଯୁବ ସଂପ୍ରଦାୟ ମୁଦ୍ରିତ ପୁସ୍ତକ ପଠନରୁ ବିରତ ରହୁଥିବା ତଥା ଇଣ୍ଟରନେଟ ଓ ସ୍ମାର୍ଟଫୋନଆଶ୍ରିତଜୀନବଶୈଳୀରେ ଅଭ୍ୟସ୍ତ ହୋଇପଡୁଥିବାବେଳେ ଓଡ଼ିଶା ମଧ୍ୟ ସେହି ପ୍ରବାହରେ ସାମିଲ ହୋଇଛି । ରାଜ୍ୟରେ ଅନଲାଇନ ବ୍ୟବହାର ସଂପର୍କରେ ପରିସଂଖ୍ୟାନଭିତ୍ତିକ ତଥ୍ୟ ଅଭାବ ଥିଲେ ହେଁ ଖୋଦ ମୁକେଶଆମ୍ୱାନୀଭୁବନେଶ୍ୱରର‘ମେକ ଇନ ଓଡ଼ିଶା କନକ୍ଳେଭ’ରେ କହିଗଲେ ଯେ ମୁଣ୍ଡପିଛା ମୋବାଇଲ ଡ଼ାଟା ବ୍ୟବହାରରେ ଓଡ଼ିଶା ସର୍ବାଗ୍ରେ ରହିଛି ।


ଆମେ ଯଦି ଅଧିକ ଡ଼ାଟା ବ୍ୟବହାର କରୁଛେ ତେବେ ସ୍ମାର୍ଟଫୋନରେ ଅଧିକ ଦେଖୁଛେ, ପଢୁଛେ ଏବଂ ଶୁଣିବା ମଧ୍ୟ । ଅତଏବ ଓଡ଼ିଆ ଭାଷାରେ ଅଡ଼ିଓବୁକ୍ସ ଓ ଇ-ବୁକ୍ସ ପ୍ରଚଳନର ପରୀକ୍ଷା ନିରୀକ୍ଷା ଯୁକ୍ତିଯୁକ୍ତ ମନେହୁଏ ।ଉପସ୍ଥିତ ପରିବେଶରେ ଯଦି ରାଜ୍ୟ ଜନସଂଖ୍ୟାର ଅର୍ଦ୍ଧେକଙ୍କହାତପାଆନ୍ତାରେସ୍ମାର୍ଟଫୋନ ପହଞ୍ଚୁଛି କିମ୍ୱା ୨୦୨୦ ସୁଦ୍ଧା ପହଞ୍ଚିବା ଆଶା କରାଯାଉଛି ଏବଂ ସେମାନେ ସେଥିରେ ଦୈନିକ ହାରାହାରି ତିନିରୁ ଛଅଘଣ୍ଟା ବିତାଉଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶକଳ୍ପେ ସେଭଳି ସୁବିଧାସୁଯୋଗ ଉପଯୋଗ କାହିଁକି କରିବା ନାହିଁ ?


ସ୍ୱଚ୍ଛଳବର୍ଗର ଓଡ଼ିଆ ପରିବାରର ପିଲାଏ ଇଂଲିଶ ମାଧ୍ୟମ ବିଦ୍ୟାଳୟ ଶିକ୍ଷାପ୍ରତି ଆକର୍ଷିତ ହେବା ତଥା ମାଧ୍ୟମିକସ୍ତରରେ ପାଠ୍ୟକ୍ରମ ବୋଝରେ ଓଡ଼ିଆ ସାହିତ୍ୟ ଅଧ୍ୟୟନରେ ସମୟ ବିନିଯୋଗ କରିପାରୁନଥିବା ପରିପ୍ରେକ୍ଷୀରେ ଓଡ଼ିଆ ଭାଷାରେ ପ୍ରସ୍ତୁତ ଅଡ଼ିଓବୁକ୍ସ ଅନ୍ତତଃପକ୍ଷେ ସେଭଳି ପିଢ଼ୀଲାଗି ନିଜ ସମାଜ ସଂସ୍କୃତି ସଂପର୍କରେ ପରିଚ଼ିତିକରାଇବାରେ ସହାୟକ ହେବା ବିଚ଼ାର କରାଯାଇପାରେ ।


ଓଡ଼ିଆରେଅଡ଼ିଓବୁକ୍ସ ପ୍ରକଳ୍ପ ରୂପାୟନ ସୀମିତ ଖର୍ଚ୍ଚ ଓ ଅଧିକ ସୃଜନ ଆବଶ୍ୟକ କରିବ । ପ୍ରସାରଣ ତଥା ଉପଭୋଗ ପାଇଁ ବ୍ୟାପକ ଭିତ୍ତିଭୂମି ସ୍ୱତଃପ୍ରବୃତ୍ତଭାବେ ପ୍ରସ୍ତୁତ ହୋଇସାରିଥିବା ହେତୁ ତାହାର ଉପଯୋଗ ସହଜସାଧ୍ୟ ହେବା ଆଶା କରାଯାଇପାରେ ।


ଡକ୍ଟର ପ୍ରଦୀପ ମହାପାତ୍ର / ରଚନା କାଳ : ୧୧ ଜାନୁୟାରୀ ୨୦୧


ତଥ୍ୟ:

Alter, Alexandra. Book lovers are all ears as authors skip print. The Hindu (Cuttack Edition). June 21, 2018.


Fernades, Joeanna Rebello. Hear, Hear ! Indians are ‘reading’ audiobooks. The Sunday Times. April 8, 2018


<https://timesofindia.indiatimes.com/home/sunday-times/hear-hear-indians-are-reading-audiobooks/articleshow/63661025.coms>

Bansal, Shuchi. Audiobooks may do better than podcasts in India. Live Mint. December 20, 2018.


<https://www.livemint.com/Opinion/F4Mtek2JFkJQjlk910WLUK/Opinion-audiobooks-may-do-better-than-podcasts-in-india.html>

First Malayalam audio novel ‘Ouija Board’ launched. The Indian Express. March 21, 2018


<www.newindianexpress.com/cities/kochi/2018/mar/21/first-malayalam-audio-novel-onija-board-launched-1790070.html>

ସୋସିଆଲ ଅଡିଓ

କ୍ରମବର୍ଦ୍ଧିଷ୍ଣୁ ସୋସିଆଲ ମିଡ଼ିଆ ପରିଧିରେ ‘ସୋସିଆଲ ଅଡ଼ିଓ’ ମହାମାରୀ କାଳରେ ସଦ୍ୟତମ ଯୋଗଦାନ । ସ୍ମାର୍ଟଫୋନ ଉପଯୋଗରେ ଆପ୍ଲିକେସନଭିତ୍ତିକ ଗୋଷ୍ଠୀଗତ ଆଳାପ ଆଲୋଚ଼ନା ‘ଗୃପ କନଭରସେସନ’ ସୋସିଆଲ ଅଡ଼ିଓକୁ ବୁଝାଉଛି । ପୂର୍ବପ୍ରଚଳିତ ‘ହ୍ୱାଟସଆପ’ ଭଳି ମେସେଞ୍ଜର ଆପ୍ଳିକେସନରେ ସର୍ବାଧିକ ଆଠଜଣ ବ୍ୟକ୍ତି ଅଡ଼ିଓ କିମ୍ୱା ଭିଡ଼ିଓ ଯୋଗେ କଥୋପକଥନର ସୁବିଧା ଥିବା ସ୍ଥଳେ ସୋସିଆଲ ଅଡ଼ିଓମଞ୍ଚଗୁଡ଼ିକ ହଜାର ସଂଖ୍ୟାରେ ଶ୍ରୋତା ଅଂଶଗ୍ରହଣ କରିବା ନିମନ୍ତେ ସୁଯୋଗ ସୃଷ୍ଟି କରିପାରୁଛି ।


ସୋସିଆଲ ମିଡ଼ିଆରେ ଟେକ୍ସଟ ଓ ଭିଡ଼ିଓ ବ୍ୟବହାର ଗଣମାଧ୍ୟମ ଉପତ୍ୟକାରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିସାରିବା ପରେ ପରବର୍ତ୍ତୀ ଆକର୍ଷଣ ଅଡ଼ିଓ ଉପରେ କେନ୍ଦ୍ରୀଭୂତ । ମୁଖ୍ୟତଃ ଅଡ଼ିଓ ଆପ୍ଳିକେସନ ବ୍ୟବହାର ୨୦୨୦ରୁ ଆରମ୍ଭ ହୋଇଛି ଏବଂ ଅନ୍ତତଃପକ୍ଷେ ପରବର୍ତ୍ତୀ ପାଞ୍ଚ ବର୍ଷ ୨୦୨୪ ସୁଦ୍ଧା ବହୁସଂଖ୍ୟକ ଇଣ୍ଟରନେଟ ଉପଭୋକ୍ତା ଏଥିରେ ସାମିଲ ହେବା ଆଶା କରାଯାଉଛି । ଟେକ୍ସଟ ଚାଟିଂ କ୍ଷେତ୍ରରେ ଅକ୍ଷର ଟାଇପ କରିବା, ଭିଡ଼ିଓ କ୍ଷେତ୍ରରେ ପ୍ରଚଳିତ ଆପ୍ଳିକେସନଗୁଡ଼ିକରେ ସୀମିତ ସଂଖ୍ୟକଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇପାରୁଥିବା ସ୍ଥଳେ ସୋସିଆଲ ଅଡ଼ିଓରେ ସିଧା ସଳଖ କଥାବାର୍ତ୍ତା ତଥା ବହୁ ସଂଖ୍ୟକଙ୍କୁ ସାମିଲ କରିବା ସଂଭବପର ।


ସୋସିଆଲ ଅଡ଼ିଓ ଆପ୍ଳିକେସନ ‘କ୍ଳବ ହାଉସ’ ମାର୍ଚ୍ଚ ୨୦୨୦ରେ ଉନ୍ମୋଚିତ ହୋଇଥିଲା । ପ୍ରାଥମିକଭାବେ ଏହା କେବଳ ଆଇ-ଫୋନରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟଥିବା ସ୍ଥଳେ ମେ’୨୦୨୦ରେ ଆଣ୍ଡ୍ରୋଏଡ଼ ସଂସ୍କରଣ ଉପଲବ୍ଧ ହେଲା । ବର୍ଷକ ମଧ୍ୟରେ ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ବିଶ୍ୱବ୍ୟାପୀ ଏହାର ଉପଭୋକ୍ତା ସଂଖ୍ୟା ଏକ କୋଟିରେ ପହଞ୍ଚିଥିବା କ୍ଳବହାଉସ ପ୍ରାୟୋଜକଙ୍କ ପକ୍ଷରୁ ଦାବୀ କରାଯାଉଛି ।


କ୍ଳବହାଉସରେ ବହୁ ସଂଖ୍ୟକ ‘କ୍ଳବ’ ଓ ପ୍ରତ୍ୟେକ ‘କ୍ଳବ’ ଅଧୀନରେ ବିଭିନ୍ନ ‘ରୁମ’ର ବ୍ୟବସ୍ଥା ରହିଛି । ଯେକୌଣସି ଉପଭୋକ୍ତା ସାଧାରଣ ‘ବ୍ଳଗ’ ଭଳି ଏକ ‘ରୁମ’ ଖୋଲି ଏକ ନିର୍ଦ୍ଧିଷ୍ଟ ବିଷୟରେ ଅନ୍ୟମାନଙ୍କ ସହ ଆଳାପଆଲୋଚନାର ସୁଯୋଗ ସୃଷ୍ଟି କରିପାରିବେ । ‘ରୁମ’ଗୁଡ଼ିକର ନିର୍ଦ୍ଧାରିତ ବିଷୟ ଅନୁଯାୟୀ ତାହା ‘କ୍ଳବ’ ପର୍ଯ୍ୟାୟରେ ବର୍ଗୀକୃତ ହୋଇଥାନ୍ତି । ଉଦାହରଣରେ ‘ଓଡ଼ିଆ ଗଣମାଧ୍ୟମ’ କ୍ଳବରେ ଟେଲିଭିଜନ ମଞ୍ଚ, ମୁଦ୍ରଣ ଶିଳ୍ପ, ଗ୍ରାମାଞ୍ଚଳ ବିଜ୍ଞାପନ ଧାରା ଭଳି ବିଷୟରେ ‘ରୁମ’ ପ୍ରଯୋଜିତ ହୋଇପାରେ । ଉପଭୋକ୍ତାମାନେ ନିଜ ରୁଚ଼ି ଓ ଆବଶ୍ୟକତା ଅନୁଯାୟୀ ‘ରୁମ’ର ସଦସ୍ୟଭୁକ୍ତ ହୋଇଥାନ୍ତି । ପ୍ରତ୍ୟେକ ‘ରୁମ’ରେ ନିର୍ଦ୍ଦିଷ୍ଟ ସମୟସୀମାରେ ଉପଭୋକ୍ତାମାନେ ପରସ୍ପର ମଧ୍ୟରେ କଥୋପକଥନର ସୁଯୋଗ ହାସଲ କରିଥାନ୍ତି ।


‘କ୍ଳବହାଉସ’ ଭାରତୀୟ ବଂଶୋଦ୍ଭବ ‘ଗୁଗୁଲ’ର ପ୍ରାକ୍ତନ ଇଞ୍ଜିନିୟର ରୋଶନ ସେଠ ଏବଂ ଜଣେ ମାର୍କିନ ଉଦ୍ୟୋଗୀଙ୍କ ଦ୍ୱାରା ବିକଶିତ । ଏହି ଅପ୍ଲିକେସନ ବ୍ୟବହାର କରିବା ନିମନ୍ତେ ଜଣେ ପଞ୍ଜୀକୃତ ସଦସ୍ୟଙ୍କ ନିମନ୍ତ୍ରଣ ଆବଶ୍ୟକ ପଡ଼ିଥାଏ । ଅର୍ଥାତ, ଯେକେହି ଆପଟିକୁ ଡ଼ାଉନଲୋଡ଼ କରି ବ୍ୟବହାର କରିପାରେ ନାହିଁ । ପ୍ରତ୍ୟେକ ସଦସ୍ୟଙ୍କ ପ୍ରାଥମିକସ୍ତରରେ ଦୁଇଗୋଟି ନିମନ୍ତ୍ରଣ ବଣ୍ଟନର କ୍ଷମତା ରହିଥାଏ ଏବଂ ମଞ୍ଚ ଦୀର୍ଘକାଳ ବ୍ୟବହାର କରିବାପରେ ନିମନ୍ତ୍ରଣ କରିବା କ୍ଷମତା ବୃଦ୍ଧି ପାଏ । ‘କ୍ଳବହାଉସ’ର ପ୍ରତ୍ୟେକ ‘ରୁମ’ର ସର୍ବାଧିକ ସଦସ୍ୟ ସଂଖ୍ୟା ପାଞ୍ଚହଜାର ଏବଂ ପ୍ରାୟୋଜକଙ୍କ ଅନୁମତି କ୍ରମେ ଆହୁରି ଅଧିକ ସଂଖ୍ୟାକୁ ବୃଦ୍ଧି ପାଇପାରେ । ଅର୍ଥାତ, ପ୍ରତ୍ୟେକ ରୁମର କଥୋପକଥନର ପ୍ରସାରଣ ବହୁ ସଂଖ୍ୟକ ଶ୍ରୋତା ଆହରଣ କରିପାରନ୍ତି ।


‘କ୍ଳବହାଉସ’ ପରେ ପରେ ନଭେମ୍ୱର ୨୦୨୦ରେ ମାଇକ୍ରୋ ମେସେଞ୍ଜର ଆପ୍ଳିକେସନ ‘ଟୁଇଟର’ ପକ୍ଷରୁ ସୋସିଆଲ ଅଡ଼ିଓ ମଞ୍ଚ ‘ସ୍ପେସେସ’ ପରୀକ୍ଷାମୂଳକଭାବେ ପ୍ରଚଳନ କରାଯାଇ ମେ’ ୨୦୨୧ ସୁଦ୍ଧା ଉପଭୋକ୍ତାଙ୍କ ବ୍ୟବହାରଲାଗି ଉନ୍ମୁକ୍ତ କରାଯାଇଥିଲା । ସେହିପରି ୨୧ ଜୁନ ୨୦୨୧ରେ ‘ଫେସବୁକ’ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାର ଉପଭୋକ୍ତାଙ୍କ ପାଇଁ ‘ଲାଇଭ ଅଡ଼ିଓ ରୁମସ’ର ସୁଯୋଗ ସୃଷ୍ଟି ହୋଇଥିଲା । କିଛିଦିନ ପୂର୍ବରୁ ୧୬ ଜୁନ ୨୦୨୧ରେ ଖ୍ୟାତନାମା ସଂଗୀତ ଆପ୍ଳିକେସନ ‘ସ୍ପଟିଫାଇ’ ପକ୍ଷରୁ ଅନୁରୂପ ସୋସିଆଲ ଅଡିଓ ମଞ୍ଚ ‘ଗ୍ରୀନରୁମ’ ଆତ୍ମପ୍ରକାଶ କରିଥିଲା । ‘କ୍ଳବହାଉସ’ ତୁଳନାରେ ନବବିକଶିତ ଆପଗୁଡ଼ିକରେ ଅଧିକ ସୁବିଧା ସୁଯୋଗ ସଂଯୋଜନା କରାଯାଉଥିବା ଦେଖିବାକୁ ମିଳିଥାଏ ।


‘ଫେସବୁକ’ର ‘ଲାଇଭ ଅଡ଼ିଓ ରୁମସ’ର ପରୀକ୍ଷାମୂଳକ ସଂସ୍କରଣ ଆପଲ ଆଇଓଏସ ସ୍ମାର୍ଟଫୋନ ଉପଯୋଗରେ ୫୦ ଜଣ ଯାଏଁ ବକ୍ତା ଓ ଅଗଣିତ ଶ୍ରୋତାଙ୍କୁ ପ୍ରତ୍ୟେକ ‘ରୁମ’ରେ ସଦସ୍ୟଭୁକ୍ତ କରାଯାଇପାରିବ । ଶ୍ରୋତାମାନେ ଉଭୟ ଆପଲ ଆଇଓଏସ ଓ ଏଣ୍ଡ୍ରୋଏଡ଼ ସ୍ମାର୍ଟଫୋନ ଯୋଗେ ଶୁଣିପାରିବେ । ଏହି ମଞ୍ଚରେ କେତେକ ନିର୍ବାଚିତ ‘ପଡ଼କାଷ୍ଟ’ ପ୍ରସାରଣ ସହ ଅଡ଼ଓ କାର୍ଯ୍ୟକ୍ରମ ରେକର୍ଡ଼ିଂ ଓ ଏଡିଟିଂ ନିମନ୍ତେ ସୁବିଧା ମଧ୍ୟ ଉପଲବ୍ଧ ହେବ । ‘କ୍ଳବହାଉସ’ରେ ‘ରୁମ’ଗୁ଼ଡ଼ିକର ପ୍ରସାରଣ ରେକର୍ଡ କରିବା ବାରଣ କରାଯାଇଥିବା ସ୍ଥଳେ ଫେସବୁକ ‘ଲାଇଭ ଅଡ଼ିଓ ରୁମସ୍’ରେ ରେକର୍ଡ଼ିଂ ଏବଂ ତାହା ଇ-ମେଲ ଯୋଗେ ବିତରଣର ସୁବିଧା ଉପଲବ୍ଧ ରହିବ ।


‘ସୋସିଆଲ ଅଡ଼ିଓ’ ମଞ୍ଚରେ ‘କ୍ଳବହାଉସ’, ‘ସ୍ପେସସ’, ‘ଡ଼ିସକର୍ଡ’, ‘ଗ୍ରୀନରୁମ’ ଓ ‘ଲାଇଭ ଅଡ଼ିଓ ରୁମସ’ ସହ ‘ଲିଙ୍କଡ଼ଇନ’, ‘ରେଡ଼ିଟ’, ‘ସ୍ଳାକ’ ପକ୍ଷରୁ ଆପ୍ଳିକେସନ ବିକଶିତ ହେଉଥିବା ସୂଚନା ମିଳେ । ଆମ ଭାରତରେ ‘କ୍ଳବହାଉସ’ ୨୦୨୧ ଜୁନମାସ ସୁଦ୍ଧା ଏକରକମ ଆସ୍ଥାନ ଜମାଇ ସାରିଥିଲା । ପ୍ରାୟ କୋଡ଼ିଏ ଲକ୍ଷ ଉପଭୋକ୍ତା ଏହି ମଞ୍ଚରେ ଉପସ୍ଥିତ ଥିବା କୁହାଯାଉଥିଲା । ‘ସୋସିଆଲ ଅଡ଼ିଓ’ର ଭାରତୀୟ ସଂସ୍କରଣ ‘ସେରଚାଟ’ରେ ‘ଚାଟରୁମ’ ନାମରେ ଲାଇଭ ଅଡ଼ିଓ ପଡ଼କାଷ୍ଟ ଏପ୍ରିଲ ୨୦୨୦ରୁ ଆରମ୍ଭ ହୋଇଥିଲା । ବହୁପୂର୍ବରୁ ୨୦୧୮ରେ ବିକଶିତ ‘ଲେହର’ରେ ଲକ୍ଷାଧିକ ଉପଭୋକ୍ତା ସାମିଲ ହୋଇ ଅଡ଼ିଓ-ଭିଡ଼ିଓ ମଞ୍ଚ ବ୍ୟବହାର କରୁଥିବା ଜଣାଯାଏ । ଏଠାରେ ଧାର୍ମିକ ସତସଙ୍ଗ ଓ ସଂଗୀତଭିତ୍ତିକ ଅନ୍ତାକ୍ଷରୀ, ଭାଗ୍ୟଫଳ ଓ ରେଡ଼ିଓ ସୋ ଇତ୍ୟାଦି କାର୍ଯ୍ୟକ୍ରମମାନ ପ୍ରାଥମିକ ପର୍ଯ୍ୟାୟରେ ଲୋକପ୍ରିୟତା ହାସଲ କରିଛି ।


ଏକବିଂଶ ଶତାଦ୍ଦୀ ତୃତୀୟ ଦଶକରେ ଗଣମାଧ୍ୟମ କୋଳାହଳରେ ଅଡ଼ିଓ ମଞ୍ଚ ପ୍ରାଧାନ୍ୟଲାଭ କରିବା ସଂପର୍କରେ ବିଶେଷଜ୍ଞମାନେ ଦୀର୍ଘ ଅତୀତରୁ ପୂର୍ବାନୁମାନ କରିଆସୁଥିବା ସ୍ଥଳେ ‘ସୋସିଆଲ ଅଡ଼ିଓ’ ଧାରା ୨୦୨୧ରୁ ହିଁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଯାଉଛି । ଭାରତରେ ସୋସିଆଲ ମିଡ଼ିଆ କ୍ଷେତ୍ରରେ ଫେସବୁକ ସର୍ବାଧିକ ଲୋକପ୍ରିୟ । ସେହି ମଞ୍ଚରେ ନିକଟ ଭବିଷ୍ୟତରେ ଅଡ଼ିଓ ପ୍ରସାରଣର ସୁବିଧାସୁଯୋଗ ସୃଷ୍ଟି ବହୁସଂଖ୍ୟକଙ୍କ ପାଇଁ ଗୋଷ୍ଠୀଗତ ଆଳାପ ଆଲୋଚନା ‘ଗୃପ କନଭରସେସନ’ଠାରୁ ଆରମ୍ଭ କରି ସମ୍ୱାଦ ଓ ଅଭିମତ, ରାଜନୀତିକ, ସାଂସ୍କୃତିକ ବିଚାରବିମର୍ଷ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନର ବାହକ ହେବା ଆଶା କରାଯାଇପାରେ ।


ପ୍ରଥମତଃ, ଗୋଷ୍ଠୀଗତ ଅଡ଼ିଓ ମଞ୍ଚରେ ପ୍ରତ୍ୟେକଙ୍କୁ ଯୋଗଦାନରେ ଶୁଣିବା ଓ କହିବା ସୁଯୋଗ ଅନ୍ୟ ସୋସିଆଲ ମିଡ଼ିଆଭଳି ଏକ ଗଣତାନ୍ତ୍ରିକ ପରିବେଶ ସୃଷ୍ଟିରେ ସହାୟକ ହେବ । ଦ୍ୱିତୀୟତଃ, ପୂର୍ବରୁ ଉପଲବ୍ଧ ଟେକ୍ସଟ ଓ ଭିଡ଼ିଓ ପ୍ରସ୍ତୁତିରେ ଉପଭୋକ୍ତାଙ୍କ ସାମର୍ଥ୍ୟ, ଶ୍ରମ ଓ ସମୟ ଆବଶ୍ୟକ କରିଆସିଥିବା ସ୍ଥଳେ ଅଡ଼ିଓ ମଞ୍ଚରେ ଅଂଶ ଗ୍ରହଣ ଅପେକ୍ଷାକୃତ ସହଜ ଓ ସରଳ ବୋଧ ହେବ । ତୃତୀୟତଃ, ଅନ୍ୟାନ୍ୟ କାର୍ଯ୍ୟରେ ସଂପୃକ୍ତ ରହି ରେଡ଼ିଓ ଶୁଣିବା ଭଳି ଅଡ଼ିଓ ମଞ୍ଚର ଅତିରିକ୍ତ ସୁବିଧା ଏହାର ଉପାଦେୟତା ବୃଦ୍ଧିରେ ପର୍ଯ୍ୟବସିତ ହେବା ଯୁକ୍ତିଯୁକ୍ତ ।


ସୋସିଆଲ ଅଡ଼ିଓର ପ୍ରସାର ମୁଦ୍ରିତ ସମ୍ୱାଦପତ୍ରର ପାଠକ ସଂଖ୍ୟାକୁ ପ୍ରଭାବିତ କରିବା ଆଶଙ୍କା ଘନୀଭୂତ ହେବ । ଏହିଭଳି ମଞ୍ଚ ବ୍ୟବହାରରେ ଶ୍ରୋତାଙ୍କ ସୀମା ନିର୍ଦ୍ଧାରିତ ନହେଉଥିବା ହେତୁ ଗଭୀର ଆଞ୍ଚଳିକଭିତ୍ତିରେ ସମ୍ୱାଦ ଓ ଅଭିମତ ପ୍ରସାରଣ ସ୍ଥଳବିଶେଷରେ ନିର୍ଦ୍ଦିଷ୍ଟ ଅଡ଼ିଓ ରୁମ ପାଇଁ ସଂପ୍ରସାରିତ ଶ୍ରୋତାମଣ୍ଡଳୀ ସୃଷ୍ଟି ଆଶା କରାଯାଇପାରେ । ଏହା ପାରମ୍ପରିକ ଗଣମାଧ୍ୟମ ମଞ୍ଚରୁ ଉପଭୋକ୍ତା ଅପସାରଣର କାରଣ ପାଲଟିବ । ସେହିପରି ପ୍ରଚଳିତ ରେଡ଼ିଓ ପ୍ରସାରଣର ଦୁର୍ବଳ ଭିତ୍ତିଭୂମିରେ ସୋସିଆଲ ଅଡ଼ିଓ ନକାରାତ୍ମକ ପ୍ରଭାବ ପକାଇବ । ଇଣ୍ଟରନେଟ ସଂଯୁକ୍ତି, ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ତଥା ୫ଜି ଟେଲିଯୋଗାଯୋଗ ବୈଷୟିକକୌଶଳ ପ୍ରଚଳନର ସଂଭାବ୍ୟ ପରିସ୍ଥିତି ଗୋଷ୍ଠୀ ରେଡ଼ିଓ ଆନ୍ଦୋଳନ ‘କମ୍ୟୁନିଟି ରେଡ଼ିଓ’ ଭିତ୍ତିଭୂମିକୁ ଦୋହଲାଇ ଦେବ ।


ଅପରପକ୍ଷେ ସୋସିଆଲ ଅଡ଼ିଓ ମଞ୍ଚଗୁଡ଼ିକର ବିକାଶ ଏବଂ ବହୁସଂଖ୍ୟକ ଉପଭୋକ୍ତାଙ୍କ ଯୋଗଦାନ ଅସତ୍ୟ ସମ୍ୱାଦ, ଗୁଜବ ଓ ଅନ୍ଧବିଶ୍ୱାସ ପ୍ରସାରଣଲାଗି ଉର୍ବର ଉପତ୍ୟକା ଯେ ସୃଷ୍ଟି କରିବ ଏଥିରେ ମଧ୍ୟ ସନ୍ଦେହ ନାହିଁ । ଦୁର୍ବଳ ଅର୍ଥନୀତି ଓ ଅଳ୍ପଶିକ୍ଷିତ ଓଡ଼ିଶା ପକ୍ଷେ ସୋସିଆଲ ଅଡ଼ିଓର ପ୍ରସାର ଅବସରରେ ମିଶ୍ରିତ ପ୍ରତିକ୍ରିୟା ଆଶା କରାଯାଏ ।


ଡକ୍ଟର ପ୍ରଦୀପ ମହାପାତ୍ର / ରଚନା କାଳ : ଜୁଲାଇ ୨୦୨୧


ତଥ୍ୟ:


Alawadhi, Neha. Social audio locks down an opportunity. Business Standard (Bhubaneswar Edition). June 23, 2021.


Facebook launches Clubhouse like audio rooms and podcasts. Reuters. June 22, 2021.