ଟେଲିଭିଜନ

ଦୂରଦର୍ଶନର ହୀରକ ଜୟନ୍ତୀ

ଭାରତୀୟ ଜାତୀୟ ଟେଲିଭିଜନ ପ୍ରସାରଣ ‘ଦୂରଦର୍ଶନ’ ୧୫ ସେପ୍ଟେମ୍ବର ୧୯୫୯ରେ ଏକ ପରୀକ୍ଷାମୂଳକ ପରିବେଶରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୧୯୬୫ରେ ଦିଲ୍ଲୀ, ୧୯୭୨ରେ ମୁମ୍ୱାଇ ଓ ଅମୃତସର ଏବଂ ୧୯୭୫ରେ ଅନ୍ୟ କେତେକ ସହରରେ ଟେଲିଭିଜନ ପ୍ରସାରଣର ସୁବିଧା ଉପଲବ୍ଧ ହେଲା । ତେବେ ୧୯୮୨ରେ ଉପଗ୍ରହଭିତ୍ତିକ କେନ୍ଦ୍ରୀୟ ରଙ୍ଗୀନ ପ୍ରସାରଣ ଟେଲିଭିଜନକୁ ଦେଶରେ  ସାର୍ବଜନୀନ ଗଣମାଧ୍ୟମ ରୂପେ ଗଢ଼ି ତୋଳିଲା । ବିଂଶ ଶତାଦ୍ଦୀର ଶେଷ ଦଶକରେ ଘରୋଇ କେବଲ ଚ୍ୟାନେଲ ଏବଂ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ଇଣ୍ଟରନେଟଭିତ୍ତିକ ପ୍ରସାରଣ ଭାରତୀୟ ଟେଲିଭିଜନ ବିକାଶ ଇତିହାସରେ ଅନ୍ୟ ଦୁଇ ଗୋଟି ଉଲ୍ଲେଖନୀୟ ଅଧ୍ୟାୟ ।


 

‘ଦୂରଦର୍ଶନ’ର ହୀରକ ଜୟନ୍ତୀ ୧୫ ସେପ୍ଟେମ୍ବର ୨୦୧୯ରେ ପାଳିତ ହୋଇଛି । ଏକଦା ଖ୍ୟାତି ଅର୍ଜନ କରିଥିବା ଜାତୀୟ ଟେଲିଭିଜନ ପ୍ରସାରଣ ପରିବର୍ତ୍ତିତ ପରିବେଶରେ ଗୁରୁତ୍ୱ ହରାଇଛି । ଗତ ଶତାଦ୍ଦୀର ଅଷ୍ଟମ ଓ ନବମ ଦଶକରେ ଏହାର ସମ୍ୱାଦ, କ୍ରୀଡ଼ା ବିବରଣୀ ଓ ଧାରାବାହିକ ଲୋକପ୍ରିୟତା ହାସଲ କରିପାରିଥିଲା । ତେବେ ଏସବୁ କ୍ଷେତ୍ରରେ ଘରୋଇ ଚ୍ୟାନେଲଗୁଡ଼ିକ ପକ୍ଷରୁ ପ୍ରତିଯୋଗିତା ଆରମ୍ଭ ହେବାପରେ ସରକାରୀ ପରିଚାଳନାଧୀନ ପ୍ରସାରଣ ସେବା ଉତ୍କର୍ଷତା ଜାରୀ ରଖିପାରିଲା ନାହିଁ ।‘ଦୂରଦର୍ଶନ’ର ହୀରକ ଜୟନ୍ତୀ ପାଳନ ଅବସରରେ ନୈରାଶ୍ୟଜନକ ସ୍ଥିତି ଗଣମାଧ୍ୟମ ସମୀକ୍ଷକମାନଙ୍କୁ ବ୍ୟଥିତ କରିଥାଏ ।


 

ଭାରତୀୟ ଜାତୀୟ ଟେଲିଭିଜନ ପ୍ରସାରଣ ଉନ୍ମେଷ କାଳରୁ ସରକାରୀ ନିୟନ୍ତ୍ରଣାଧୀନ ରହି ଆସିଛି । ସରକାରୀସ୍ତରରେ ଅମଲାତାନ୍ତ୍ରିକ ନୀତି ନିର୍ଦ୍ଧାରଣ ସୃଜନ, ସାମାଜିକ ଭୂମିକା ଓ ଦୃତ ପରିବର୍ତ୍ତନଶୀଳ ବୈଷୟିକ କଳାକୌଶଳ ଉପଯୋଗ କ୍ଷେତ୍ରରେ ପରିପନ୍ଥୀ ବିଚାରକରି ଟେଲିଭିଜନ ପ୍ରସାରଣକୁ ସ୍ୱୟଂଶାସିତ କରିବା ନିମନ୍ତେ ଉଦ୍ୟମ ହୋଇଛି । ରାଜନୀତିକସ୍ତରରେ ଦୀର୍ଘଦିନ ଚର୍ଚ୍ଚା ପରେ ୧୯୯୭ରେ ପ୍ରସାର ଭାରତୀ ଆଇନ ପ୍ରଣୟନ ହୋଇଥିଲା ସତ, କିନ୍ତୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରି ନାହିଁ ।


 

‘ଦୂରଦର୍ଶନ’ର ହୀରକ ଜୟନ୍ତୀ ପାଳନ ଅବସରରେ ଅତ୍ୟନ୍ତ ସୀମିତ ଆୟୋଜନ ଅନେକଙ୍କୁ ବିସ୍ମିତ କରିଥିଲା । ଏହାର ଅତୀତ ଗୌରବ ସ୍ମୃତିଚାରଣମୁଖ୍ୟତଃ ସର୍ବସାଧାରଣରେ ସୋସିଆଲ ମିଡ଼ିଆରେ ସୀମିତ ରହିଥିଲା । ନୂଆଦିଲ୍ଲୀ ଦୂରଦର୍ଶନ ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଜାତୀୟ ପ୍ରସାରଣର ବ୍ୟାପ୍ତି, ନୂତନ କାରିଗରୀ କୌଶଳ ଉପଯୋଗ ଓ ବିଶ୍ୱାସନୀୟତା ବର୍ଣ୍ଣନା କରିଥିଲେ । ତେବେ ଅବକ୍ଷୟମୁଖୀ ‘ଦୂରଦର୍ଶନ’ର ପୁନଋଦ୍ଧାର ନିମନ୍ତେ କୌଣସି ଠୋସ ପଦକ୍ଷେପ ସଂପର୍କରେ ସୂଚନା ଦେଇନଥିଲେ । ଅର୍ଥାତ ଏହାର ପୁର୍ନବିନ୍ୟାସ ନିମନ୍ତେ ସରକାରୀସ୍ତରରେ କୌଣସି ଯୋଜନା ନଥିବା ସୁସ୍ପଷ୍ଟ ।


 

ବ୍ୟାପ୍ତି, ସାଧନ ଓ କର୍ମଚାରୀ ଦୃଷ୍ଟିରୁ ‘ଦୂରଦର୍ଶନ’ ବିଶ୍ୱର ଅନ୍ୟତମ ବୃହତ ଟେଲିଭିଜନ ପ୍ରସାରଣ ପ୍ରତିଷ୍ଠାନ । ଏହାର କାର୍ଯ୍ୟକ୍ରମ ୩୪ ଗୋଟି ଉପଗ୍ରହ ଯୋଗେ ସାତଗୋଟି ଜାତୀୟ, ୧୭ ଗୋଟି ପ୍ରାଦେଶିକ ଏବଂ ଆନ୍ତର୍ଜାତିକସ୍ତରରେ ଇଂଲିଶ ଓ ହିନ୍ଦି ଚ୍ୟାନେଲ ତଥା ମାଗଣା ଡିସ ଏଣ୍ଟିନା ମାଧ୍ୟମରେ ପ୍ରସାରିତ ହୋଇଥାଏ । ଏତଦ୍ବ୍ୟତୀତ ଆଠଗୋଟି ପ୍ରଦେଶଭିତ୍ତିକ ନେଟୱାର୍କ ଏବଂ ସାତଗୋଟି ପ୍ରାଦେଶିକ ଚ୍ୟାନେଲ କାର୍ଯ୍ୟକ୍ଷମ । କାର୍ଯ୍ୟକ୍ରମ ପ୍ରଯୋଜନା ନିମନ୍ତେ ୬୭ ଗୋଟି ଷ୍ଟୁଡ଼ିଓ, ୧,୪୦୦ ଟ୍ରାନ୍ସମିଟର ଏବଂ ବତିଶି ହଜାର କର୍ମଚାରୀ ନିଯୁକ୍ତ ।  ଅପର ପକ୍ଷରେ ‘ଦୂରଦର୍ଶନ’ର ସମ୍ୱଳ ବ୍ୟାପକ ପ୍ରତୀୟମାନ ହେଉଥିଲେହେଁ ପରିବର୍ତ୍ତିତ ପୃଷ୍ଠଭୂମିରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେ ହୁଏନାହିଁ । ମୋବାଇଲ ଫୋନ କ୍ୟାମରାରେ ପ୍ରସାରଣଯୋଗ୍ୟ ଚିତ୍ର ଉତ୍ତୋଳନତଥା ଦେଶରେ୬୫ କୋଟି ଜନସାଧାରଣଙ୍କ ହାତପାଆନ୍ତାରେ ଇଣ୍ଟରନେଟ ଆପ୍ଳିକେସନ ଯୋଗେ ପ୍ରସାରଣ ବୈଷୟିକ କୌଶଳ ଉପଲବ୍ଧ ପରେ ଉପକରଣ ବଦଳରେ ସୃଜନ ଓ ପ୍ରଯୋଜନାହିଁ ଗୁରୁତ୍ୱବହନ କରିଥାଏ ।


 

ଭାରତୀୟ ଆକାଶବାଣୀ ଓ ଦୂରଦର୍ଶନର ଇତିହାସ ଅନୁଧ୍ୟାନ କଲେ ସରକାର ଏହି ଦୁଇ ଗଣମାଧ୍ୟମରୁ ନିୟନ୍ତ୍ରଣ ହରାଇବାକୁ ଚାହୁଁନଥିବା ସ୍ପଷ୍ଟ ଅନୁମାନ କରାଯାଇପାରେ । ବ୍ରିଟିଶ ବ୍ରଡ଼କାଷ୍ଟିଂ ସର୍ଭିସ ଅନୁକରଣରେ ପ୍ରସାର ଭାରତୀ ଆଇନ ପ୍ରଣୟନର ଦୀର୍ଘ ଦୁଇ ଦଶନ୍ଧି ପରେ ମଧ୍ୟ ସ୍ୱୟଂଶାସନ କ୍ଷମତା ଯଦି ଉପଭୋଗ କରିପାରି ନାହିଁ ତେବେ ସରକାରୀ ନିୟନ୍ତ୍ରଣରେ ଏହି ଦୁଇଗୋଟି ପ୍ରସାରଣ ପ୍ରତିଷ୍ଠାନର ହୃତ ଗୌରବକୁ କିପରି ଫେରାଇ ଅଣାଯାଇପାରିବ ସେଦିଗରେ ମାନସ ମନ୍ଥନ ତାତ୍ପର୍ଯ୍ୟପୂର୍ଣ୍ଣ ।


 

ପ୍ରଥମତଃ ‘ଦୂରଦର୍ଶନ’ର ମୂଳ ଲକ୍ଷ୍ୟକୁ ଭିତ୍ତିକରି ଏକ ଲୋକାଭିମୁଖୀ ଜାତୀୟ ପ୍ରସାରଣ ରୂପେ ଗଢ଼ି ତୋଳିବା ନିମନ୍ତେ ପ୍ରୟାସ ଆବଶ୍ୟକ । ଏଦିଗରେ ସୃଜନ କ୍ଷେତ୍ରରେ ଉତ୍କର୍ଷତାହିଁ ଏକମାତ୍ର ସାଧନ । ସରକାରୀ ଯୋଜନାର ପ୍ରଚାର ଯଦି ଆବଶ୍ୟକ ତେବେ ପାଞ୍ଚ ଦଶନ୍ଧି ତଳର ବିକାଶ ସାମ୍ୱାଦିକତା ମଡ଼େଲ କାମ ଦେବନି । ବଲିଉଡ଼ର ରୋମାଣ୍ଟିକ ଗୀତ ରୂପାୟନ ଛଳରେ ମୋଟର ସାଇକଲ ବିଜ୍ଞାପନ ଉଦାହରଣରୁ ବହୁତ ଶିଖିବାର ଅଛି । ଟେଲିଭିଜନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଦର୍ଶକଙ୍କୁ ଟାଣି ଆଣିବା, କାର୍ଯ୍ୟକ୍ରମର ଆଙ୍ଗୀକ ଦର୍ଶକଙ୍କୁ ଟାଣି ଆଣେ । ଦର୍ଶକ କାର୍ଯ୍ୟକ୍ରମ ଦେଖିବା ଅବସରରେ ସତ କହ ବା ମିଛ କହ, ସେ ଅଲଗା କଥା । ତେବେ ଦର୍ଶକ ନ ଆସିଲେ କରିବ କଣ ?


 

ନେଟଫ୍ଳିକ୍ସ, ଆମେଜନ ପ୍ରାଇମ, ଏପେଲ ଟିଭି ଯଦି ଉତ୍କର୍ଷତା ଦାବୀ କରୁଛି ତେବେ ସୃଜନରେ ବ୍ୟାପକ ସ୍ୱାଧୀନତା ହିଁ ଏକମାତ୍ର ରହସ୍ୟ । ସମସାମୟିକ ଘଟଣାବଳୀ ବର୍ଣ୍ଣନାରେ ଜର୍ମାନ ଡିଡବ୍ଳ୍ୟୁ ଟେଲିଭିଜନର ପଇଁଚାଳିଶି ମିନିଟିଆ ପ୍ରାମାଣିକ ଚିତ୍ର ହେଉ କିମ୍ୱା ବିବିସି, ଡିସକଭରି, ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲ ଗୁଡ଼ିକର କାର୍ଯ୍ୟକ୍ରମ ଏହାର ପ୍ରକୃଷ୍ଟ ଉଦାହରଣ । ଭାରତରେ ଯେ ଢେର ଉଚ୍ଚକୋଟୀର ଚଳଚିତ୍ର ନିର୍ମାତା ଅଛନ୍ତି, ତାହା ଦେଶରେ ଯେକୌଣସି ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଘଣ୍ଟାଏ ବିତାଇଲେ ଯେକେହି ପ୍ରମାଣ ପାଇପାରିବେ । ପ୍ରଧାନମନ୍ତ୍ରୀ କହୁଛନ୍ତି କଥା ନୁହେଁ ଭାରତରେ ଏବେ କାମ କରିବାର ବେଳ । ଟେଲିଭିଜନ ଜାଣିଥିବା ତଥା ଆଗାମୀ କାଲିକୁ ପରଖି ପାରୁଥିବା ଗୁଣୀଜନଙ୍କ ତତ୍ତ୍ୱାବଧାନରେ ‘ଦୂରଦର୍ଶନ’ର ଭବିଷ୍ୟତ ନୀତି ନିର୍ଦ୍ଧାରଣରୁସୁଫଳ ମିଳିବ ।


 

ଦ୍ୱିତୀୟତଃ ଆଠଶହ ଘରୋଇ ଚ୍ୟାନେଲଙ୍କ ସହ ପ୍ରତିଯୋଗିତା କରି ବିଜ୍ଞାପନରୁ ଆୟ ଦୌଡ଼ରୁ ‘ଦୂରଦର୍ଶନ’ ହଟୁ । ଏପରିକି କାଲି ନହେଲେ ପହରଦିନ ଟେଲିଭିଜନ ପ୍ରସାରଣରୁ ବିଜ୍ଞାପନ ଆୟ ସଙ୍କୁଚିତ ହେବା ଆକଳନ କରାଯାଉଥିବା ସ୍ଥଳେ ‘ଦୂରଦର୍ଶନ’ ଅତ୍ୟାଧୁନିକ ବୈଷୟିକ କଳାକୌଶଳ ଉପଯୋଗରେ ଦେଶବାସୀଙ୍କ ଟିକସ ପଇସାରେ ସେମାନଙ୍କ ଲାଗି ଏକ ଜ୍ଞାନବର୍ଦ୍ଧକ ଓ ବିଶ୍ୱାସନୀୟ ଚ୍ୟାନେଲ ଗଢ଼ି ତୋଳୁ । ମନୋରଞ୍ଜନ ପାଇଁ ଇଣ୍ଟରନେଟକୁ କିଏ ପାରିବ ? ଘରୋଇ ଉଦ୍ୟୋଗ ତିଷ୍ଠି ରହିବା ଲାଗି ବିଜ୍ଞାପନ ପାଇଁ ଲଢ଼ିବେ, କିନ୍ତୁ ‘ଦୂରଦର୍ଶନ’କୁ ସ୍ୱାଧୀନଭାବେ କାମ କରିବାକୁ ଦିଆଯାଉ । ସେ ଲୋକଙ୍କ କଥା ଲୋକଙ୍କ ନିକଟରେ ପହଞ୍ଚାଉ । କୁହାଯାଉ ଏତିକି ସମୟରେ ଏହା କହିବ, ତେବେ କେମିତି କହିବେ ଆନ୍ତର୍ଜାତିକସ୍ତରରେ ଅନୁଧ୍ୟାନ କରି ସେମାନେ ଆଙ୍ଗୀକ ସୃଷ୍ଟି କରନ୍ତୁ ।


 

ତୃତୀୟତଃ ‘ଦୂରଦର୍ଶନ’ପୁର୍ନବିନ୍ୟାସ ନିମନ୍ତେ ବ୍ୟାପକ ଆୟୋଜନ, ସୃଜନ ପରିଚାଳନା ନିମନ୍ତେ ବିସ୍ତୃତ ପ୍ରସ୍ତୁତି ତଥା କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ଓ ମାନସିକତା ପରିବର୍ତ୍ତନ ନିମନ୍ତେ ତାଲିମ ଆବଶ୍ୟକ । ଷାଠିଏ ବର୍ଷର ଅନୁଷ୍ଠାନ ଭାଙ୍ଗିଦେବା ବଦଳରେ ସୀମିତ ବାହ୍ୟ ପ୍ରତିଭାଙ୍କ ନିମନ୍ତ୍ରଣରେ ପୁର୍ନବିନ୍ୟାସ ସମୟର ଆହ୍ୱାନ । ଯେଉଁ ‘ଦୂରଦର୍ଶନ’ ବୁନିଆଦ, ହମଲୋଗ, ନୁକଡ଼, ରାମାୟଣ, ମହାଭାରତ, ୟେ ଜୋ ହେ ଜିନ୍ଦେଗୀ, ମୁଙ୍ଗେରି ଲାଲକୀ ହସିନ ସପନେ, ୱାଗଲେ କୀ ଦୁନିଆ, ଫ୍ଳପ ସୋ, ଉଲଟା ଫୁଲଟା, ଭାରତ ଏକ ଖୋଜ, ସୁରଭି, ଦି ସ୍ୱାର୍ଡ଼ ଅଫ ଟିପୁ ସୁଲତାନ, ମିର୍ଜା ଗାଲିବ, ମାଲଗୁଡ଼ି ଡେଜ, ବିକ୍ରମ ଔର ବେତାଳ, କଚ୍ଚି ଧୂପ, ତାମସ, ନାଦାନ, ଫୌଜି, ଦେଖ ଭାଇ ଦେଖ, ତୁ ତୁ ମେ ମେ, ଆପକୀ ଅଦାଲତ, ଖାନା ଖାଜାନା, ତୋଲ ମୋଲ କେ ବୋଲ, କ୍ୟା ସିନ ହୈ, ଅନ୍ତାକ୍ଷରୀ, ସା-ରେ-ଗା-ମା, ଫୁଲ ଖିଲେ ହେଁ ଗୁଲସନ ଗୁଲସନ ଓ ଚିତ୍ରହାର ଇତ୍ୟାଦି କାର୍ଯ୍ୟକ୍ରମ ଜରିଆରେ ଦୀର୍ଘ ଦୁଇ ଦଶନ୍ଧି ଧରି ଭାରତୀୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା ତାହାର ପୁର୍ନବିନ୍ୟାସରେ ପୁଣି ଏକ ସୁଯୋଗ ସୃଷ୍ଟି ଜରୁରୀ ମନେହୁଏ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୭ ସେପ୍ଟେମ୍ୱର ୨୦୧


ତଥା:



Doordarshan turns 60: The advent of Golden age in Indian television. The Indian Express. September 15, 2019.


 

Doordarshan turns, 60 people become hostalgic. The Hindu. September 15, 2019.


 

Goyal, Sandeep. Doordarshan turns 60, finds no admirers. Business Standard. September 21, 2019. 

ଟେଲିଭିଜନର ଆଧିପତ୍ୟ ଜାରୀ

ଭାରତୀୟ ଗଣମାଧ୍ୟମ ପରିଧିରେ ଟେଲିଭିଜନର ଆଧିପତ୍ୟ ନିକଟ ଭବଷ୍ୟତରେ ଜାରୀ ରହିବା ପୁର୍ବାନୁମାନ କରାଯାଉଛି । ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାରଗୁଡ଼ିକୁ ବିଦ୍ୟୁତ ଯୋଗାଣ ଏବଂ ତତ୍ ପରବର୍ତ୍ତୀ ଅବସ୍ଥାରେ ସେହି ପରିବାରଗୁଡ଼ିକ ଟେଲିଭିଜନ ସେଟ କିଣି ସମଗ୍ର ପରିବାର ଦର୍ଶକ ସାଜିବା କାରଣରୁ କ୍ରମାଗତଭାବେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ଅବ୍ୟାହତ ରହିଛି । ୨୦୧୮ ଶେଷ ସୁଦ୍ଧା ୧୦ କୋଟି ପରିବାରଙ୍କ ଘରେ ଟେଲିଭିଜନ ସେଟ ନଥିବା ହେତୁ ସେମାନଙ୍କୁ ଟେଲିଭିଜନ ଦର୍ଶକ ଶ୍ରେଣୀରେ ଅନ୍ତର୍ଭୁକ୍ତ ପ୍ରକ୍ରିୟା ଆଗାମୀ କିଛି ବର୍ଷ ଧରି ଚ଼ାଲୁ ରହିବା ଆଶା କରାଯାଉଛି । ଏହି ପରିବେଶ ଟେଲିଭିଜନ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବ ।


 

‘ବ୍ରଡ଼କାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ’ ପକ୍ଷରୁ ପ୍ରକାଶିତ ‘ବ୍ରଡ଼କାଷ୍ଟ ଇଣ୍ଡିଆ ୨୦୧୮’ ସର୍ବେକ୍ଷଣ ବିବରଣୀରେ ଉଲ୍ଲେଖ କରାଯାଇଛି ଯେ ୨୦୧୬ ରୁ ୨୦୧୮ ଦୁଇବର୍ଷ ମଧ୍ୟରେ ଟେଲିଭିଜନ ସେଟ ଥିବା ପରିବାରଙ୍କ ସଂଖ୍ୟା ୧୮ କୋଟି ୩୦ ଲକ୍ଷରୁ ୧୯ କୋଟି ୭୦ ଲକ୍ଷକୁ ବୃଦ୍ଧି ପାଇଥିବା ସ୍ଥଳେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ୭୮ କୋଟି ରୁ ୮୩ କୋଟି ୬୦ ଲକ୍ଷକୁ ବୃଦ୍ଧି ପାଇଛି । ସମଗ୍ର ଦେଶରେ ଟେଲିଭିଜନ ସେଟ ଥିବା ପରିବାରର ସଂଖ୍ୟା ୬୬ ପ୍ରତିଶତ ହିସାବ କରାଯାଉଥିବା ସ୍ଥଳେ ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ ଓ କେରଳ ପାଞ୍ଚଗୋଟି ରାଜ୍ୟରେ ୯୫ ପ୍ରତିଶତ ପରିବାରଙ୍କ ଘରେ ଟେଲିଭିଜନ ସେଟ ଉପଲବ୍ଧ ।


 

ଦକ୍ଷିଣ ଭାରତ ପ୍ରତି ପରିବାରକୁ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଅଗ୍ରଣୀ ରହିଆସିଛି । ୨୦୧୭ରେ ଆରମ୍ଭ ହୋଇଥିବା ‘ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା’ ବା ‘ସୌଭାଗ୍ୟ’ ସ୍କିମ ଜରିଆରେ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ୨ କୋଟି ୪୮ ଲକ୍ଷ ପରିବାରକୁ ୨୦୧୯ ମାର୍ଚ୍ଚ ସୁଦ୍ଧା ବିଦ୍ୟୁତ ଯୋଗାଣ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିଲା ।୨୦୧୮ ଆରମ୍ଭ ସୁଦ୍ଧା ଦକ୍ଷିଣ ଭାରତର ପ୍ରାୟ ପ୍ରତ୍ୟେକ ପରିବାରଙ୍କୁ ବିଦ୍ୟୁତ ଯୋଗାଣ ସରିଥିଲା ।ଘରକୁ ବିଦ୍ୟୁତ ସଂଯୋଗ ଆସିବାପରେ ସାଧାରଣତଃ ସଂପୃକ୍ତ ପରିବାରପକ୍ଷରୁ ଗ୍ରାଇଣ୍ଡର, ଫେନ, ଟେଲିଭିଜନ ସେଟ ଇତ୍ୟାଦି ଘରକରଣା ଜିନିସ କିଣାଯାଇଥାଏ ।ଏହି କ୍ରମରେ କିଛି ବର୍ଷ ମଧ୍ୟରେ ଅଧିକ ପରିବାରଙ୍କ ନିକଟରେ ଟେଲିଭିଜନ ସେଟ ଓ ପ୍ରସାରଣ ପହଞ୍ଚିବା ଆଶା କରାଯାଏ ।


 

‘ବ୍ରଡ଼କାଷ୍ଟ ଇଣ୍ଡିଆ ୨୦୧୮’ ସର୍ବେକ୍ଷଣ ନିମନ୍ତେ ଦେଶର ଚ଼ାରି ହଜାର ତିନି ଶହ ସହର ଓ ଗ୍ରାମରେ ତିନି ଲକ୍ଷ ପରିବାରଙ୍କୁ ନମୂନାଭାବେ ଗ୍ରହଣ କରାଯାଇ ତଥ୍ୟ ସଂଗୃହୀତ ହୋଇଥିଲା । ଓଡ଼ିଶାରେ ପ୍ରାୟ ୪୫ ରୁ ୬୦ ପ୍ରତିଶତ ପରିବାରଙ୍କ ଘରେ ଟେଲିଭିଜନ ସେଟ ଉପଲବ୍ଧ ଥିବା ହିସାବ କରାଯାଏ । ଇତି ମଧ୍ୟରେ ପ୍ରତି ପରିବାରକୁ ବିଦ୍ୟୁତ ଯୋଗାଣ ଧାର୍ଯ୍ୟଲକ୍ଷ୍ୟ ପୂରଣ ହେଉଥିବା ଅବସରରେ ରାଜ୍ୟରେ କ୍ରମଶଃ ଅଧିକ ପରିବାର ଟେଲିଭିଜନ ସେଟ ଘରକୁ ଆଣି ଦର୍ଶକ ଶ୍ରେଣୀଭୁକ୍ତ ହେବେ । ଏହାର ଅର୍ଥ ଓଡ଼ିଶାରେ ଟେଲିଭିଜନ ସେଟ ଓ ଦର୍ଶକ କ୍ରମଶଃ ଦୀର୍ଘକାଳ ଧରି ବୃଦ୍ଧି ପାଇବାରେ ଲାଗିବ । ସର୍ବଭାରତୀୟସ୍ତରରେ ପ୍ରତି ଦର୍ଶକ ଦୈନିକ ୪ ଘଣ୍ଟା ୧୦ ମିନଟ ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତି । ଦକ୍ଷିଣ ଭାରତରେ ଏହି ସମୟ ସୀମା ବାର୍ଷିକଭିତ୍ତିରେ ବଢୁଥିବା ଜଣାଯାଏ ।


 

‘ବ୍ରଡ଼କାଷ୍ଟ ଅଡ଼ିଏନ୍ସ ଇଣ୍ଡିଆ ୨୦୧୮’ ବିବରଣୀରେ ନିକଟ ଅତୀତରେ ଭାରତୀୟ ଟେଲିଭିଜନ ପ୍ରଭାବରେ ସୃଷ୍ଟ କେତେକ ସାମାଜିକ ପରିବର୍ତ୍ତନ ସଂପର୍କରେ ଉଲ୍ଲେଖ କରାଯାଇଛି । ଟେଲିଭିଜନ କାର୍ଯ୍ୟକ୍ରମ ଜରିଆରେ ବହୁଳ ପ୍ରଚ଼ାରିତ ‘ସ୍ୱଚ୍ଛ ଭାରତ ଅଭିଯାନ’ ପାଇଖାନା ନିର୍ମାଣରେ ସହାୟକ ହୋଇଥିବାବେଳେ ଟେଲିଭିଜନ ଧାରାବାହିକଗୁଡ଼ିକରେ କର୍ମଜୀବୀ ମହିଳାଙ୍କୁପ୍ରୋତ୍ସାହନ କମ ସମୟ ମଧ୍ୟରେ ଅଧିକ ବିବାହିତ ମହିଳାଙ୍କୁ କର୍ମନିଯୁକ୍ତି ନିମନ୍ତେ ପ୍ରଭାବିତ କରିଥିବା ଉଦାହରଣ ଦର୍ଶାଯାଇଛି ।


 

କୁହାଯାଇଛି ଯେ ୨୦୧୬ ରୁ ୨୦୧୮ ଦୁଇବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଟେଲିଭିଜନ ଚ଼୍ୟାନେଲରେ ‘ସ୍ୱଚ୍ଛ ଭାରତ ଅଭିଯାନ’ର ୪ ଲକ୍ଷ ୮୦ ହଜାର ବିଜ୍ଞାପନ ‘ସ୍ପଟ’ ପ୍ରଦର୍ଶନ କରିଥିଲେ । ଏହା ସାଙ୍ଗକୁ ସ୍ୱଚ୍ଛତା ସଂପର୍କରେ ଆଲୋଚ଼ନାମାନ ସମ୍ୱାଦ ଓ ଚଳନ୍ତି ପ୍ରବାହ କାର୍ଯ୍ୟକ୍ରମ ଗୁଡ଼ିକର ପରିସରଭୁକ୍ତ ହୋଇଥିଲା । ଏଭଳି ପ୍ରସାରଣ ପାଇଖାନା ନିର୍ମାଣ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ଜନସାଧାରଣଙ୍କୁ ଅବଶ୍ୟ ପ୍ରଭାବିତ କରିଥିଲା । ୨୦୧୬ରେ ୫୮ ପ୍ରତିଶତ ପରିବାରଙ୍କ ପାଇଖାନା ଥିବାସ୍ଥଳେ ୨୦୧୮ରେ ତାହା ୭୧ ପ୍ରତିଶତକୁ ବୃଦ୍ଧି ପାଇପାରିଲା । ଗ୍ରାମାଞ୍ଚଳରେ ନୂଆ ପାଇଖାନା ନିର୍ମାଣ ହାର ୪୫ ପ୍ରତିଶତରୁ ୬୩ ପ୍ରତିଶତକୁ ତଥା ସହରାଞ୍ଚଳରେ ୮୩ ପ୍ରତିଶତରୁ ୮୬ ପ୍ରତିଶତକୁ ବୃଦ୍ଧି ପାଇଥିବା ହିସାବ କରାଯାଏ ।


 

ଅନ୍ୟ ଏକ ଉଦାହରଣରେ ଦର୍ଶାଯାଇଛି ଯେ ୨୦୧୬ରୁ ୨୦୧୮ ଦୁଇବର୍ଷ ମଧ୍ୟରେ ଦେଶରେ କର୍ମନିଯୁକ୍ତିରେ ମହିଳାଙ୍କ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧିପାଇଛି । ୨୦୧୬ରେ କର୍ମନିଯୁକ୍ତ ମହିଳାଙ୍କ ସଂଖ୍ୟା ୮ କୋଟି ୧୦ ଲକ୍ଷ ଥିବାସ୍ଥଳେ ୨୦୧୮ରେ ତାହା ୧୦ କୋଟି ୧୦ ଲକ୍ଷକୁ ବଢ଼ିଛି । ଟେଲିଭିଜନରେ ପ୍ରସାରିତ କାର୍ଯ୍ୟକ୍ରମଗୁଡ଼ିକରେ ମହିଳା ସଶକ୍ତିକରଣର ବାର୍ତ୍ତା ଜନସାଧାରଣଙ୍କୁ ପରୋକ୍ଷରେ ପ୍ରଭାବିତ କରାଉଥିବା ସୁସ୍ପଷ୍ଟ । ସମ୍ୱାଦ ଓ ମନୋରଞ୍ଜନ ସହ ସାମାଜିକ ପରିବର୍ତ୍ତନରେ ଟେଲିଭିଜନର ଯୋଗଦାନ ଜାତୀୟ ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବା ପ୍ରମାଣିତ ହୋଇଛି।


 

ଆନ୍ତର୍ଜାତିକସ୍ତରରେ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷସୁଦ୍ଧା ଅନଲାଇନ ଗଣମାଧ୍ୟମର ଲୋକପ୍ରିୟତା ବଢୁଥିବା ସ୍ଥଳେ କ୍ରମଶଃ ଟେଲିଭିଜନ ଓ ମୁଦ୍ରଣ ଗଣମାଧ୍ୟମ ଶିଳ୍ପ ଅବହେଳିତ ଅବସ୍ଥାରେ ଆସି ପହଞ୍ଚିଥିବା ଲକ୍ଷ୍ୟ କରାଯାଏ । କିନ୍ତୁ ଭାରତରେ ଅନଲାଇନ ଗଣମାଧ୍ୟମର ଅଗ୍ରଗତି ଘଟୁଥିଲେ ହେଁ ଟେଲିଭିଜନ ଓ ମୁଦ୍ରଣ ଗଣମାଧ୍ୟମ ନିଜର ଆଧିପତ୍ୟ ଜାରୀ ରଖିପାରିଛନ୍ତି । ଭାରତର ବିସ୍ତୃତ ଭୌଗଳିକ ପରିସୀମା, ବର୍ଦ୍ଧିଷ୍ଣୁ ଅର୍ଥନୀତି ତଥା ଉନ୍ନୟନର ସ୍ରୋତରେ ପ୍ରତ୍ୟେକଟି ମଞ୍ଚ ନିଜର ସ୍ୱତନ୍ତ୍ରତା ବଜାୟ ରଖିବାକୁ ସମର୍ଥ ହୋଇଥିବା ହେତୁ ପାଶ୍ଚାତ୍ୟ ଭୂଖଣ୍ଡ ତୁଳନାରେ ଏକ ଭିନ୍ନ ଗଣମାଧ୍ୟମ ପରିବେଶ ସୃଷ୍ଟି ହୋଇଛି ।


 

ବ୍ୟାବସାୟିକ ଗବେଷଣା ତଥା ସୂଚ଼କାଙ୍କ ନିର୍ଦ୍ଧାରଣ ସଂସ୍ଥା ‘କ୍ରିସଲ’ର ପୁର୍ବାନୁମାନ ଅନୁଯାୟୀ ଆଗାମୀ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ମୁଦ୍ରଣ ଗଣମାଧ୍ୟମ ଶିଳ୍ପରେ ଲାଭାଂଶ ବୃଦ୍ଧି ପାଇବ । ସମ୍ୱାଦପତ୍ର ଛପା କାଗଜ ଦରରେ ସ୍ଥିରତା, ନିର୍ବାଚ଼ନ ପ୍ରଚ଼ାର ଯୋଗୁଁ ବିଜ୍ଞାପନ ରାଜସ୍ୱ ବୃଦ୍ଧି ତଥା କେନ୍ଦ୍ର ସରକାରଙ୍କ ‘ବ୍ୟୁରୋ ଅଫ ଆଉଟରିଚ଼ ଏଣ୍ଡ କମ୍ୟୁନିକେସନ’ ପକ୍ଷରୁ ସରକାରୀ ମୁଦ୍ରଣ ବିଜ୍ଞାପନରେ ଦେୟରେ ୨୫ ପ୍ରତିଶତ ବୃଦ୍ଧି ସମ୍ୱାଦପତ୍ର ଓ ପତ୍ରପତ୍ରିକାଗୁଡ଼ିକର ଆୟବୃଦ୍ଧିରେ ସହାୟକ ହେବ ବୋଲି ଦର୍ଶାଯାଇଛି । ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ ୫୦୦ ବେସିସ ପଏଣ୍ଟ ବ୍ୟାବସାୟିକ ଅଭିବୃଦ୍ଧି ଆଶା କରାଯାଉଛି ।


 

ଅନ୍ୟତମ ଅନଲାଇନ ବୃତ୍ତିଭିତ୍ତିକ ସଂସ୍ଥା ‘ଲିଙ୍କଡ଼-ଇନ’ର ୨୦୧୯ ବର୍ଷ ପାଇଁ ପୁର୍ବାନୁମାନ ଅନୁଯାୟୀ ସମଗ୍ର ବିଶ୍ୱରେ ଉପଭୋକ୍ତଙ୍କ ଅନଲାଇନ ଉପସ୍ଥିତିର ସମୟସୀମା ବୃଦ୍ଧି ପାଇବ । ଅର୍ଥାତ ଟେଲିଭିଜନ ତୁଳନାରେ ଅଧିକ ସମୟ ଇଣ୍ଟରନେଟ ବ୍ୟବହାରରେ ସଂପୃକ୍ତ ରହିବେ । ଭାରତରେ ମଧ୍ୟ ଅନଲାଇନ ଭିଡ଼ିଓ ମୁଖ୍ୟତଃ ମୋବାଇଲ ପରଦାରେ ଉପଭୋଗର ସମୟସୀମା ବଢ଼ିଚାଲିଛି ଏବଂ ତାହା ଅବ୍ୟାହତ ରହିବା ନିଶ୍ଚିତ ।


 

ଭାରତର ମୌଳିକ ଗଣମାଧ୍ୟମ ‘ଲିଗାସି ମିଡ଼ିଆ’ ଅଭିବୃଦ୍ଧି ସ୍ଥାନୀୟ ସାମାଜିକ, ରାଜନୀତିକ, ଅର୍ଥନୀତିକ ପରିବେଶ ସାଙ୍ଗକୁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିସ୍ତୃତ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି କରିଥାଏ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଜାନୁୟାରୀ ୨୦୧୯


ତଥ୍ୟ:


 

More TV viewers in south India than north : Survey. The Hindu (Cuttack Edition) August 30, 2018.


 

Dasgupta, Partho. What Broadcast India 2018 tells us. Business Standard (Bhubaneswar Edition) August 27, 2018.


 

Print media profits to rise in FY2020. The Hindu (Cuttack Edition) January 20, 2019.


 

People to spend more time online than watching TV in 2019 : LinkedIn report. Television Post. December 17, 2018 



<https://www.televisionpost.com/people-to-spend-more-time-online.then-watching-tv-in-2019-linkedin-report/>


 

୩୧ ସୁଦ୍ଧା ସବୁ ଘରକୁ ବିଜୁଳି | ପ୍ରମେୟ (ବ୍ରହ୍ମପୁର ସଂସ୍କରଣ) | ଜାନୁୟାରୀ ୨୧, ୨୦୧୯.  

ଟେଲିଭିଜନ ସମ୍ୱାଦ ଉପଭୋକ୍ତା

ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଟେଲିଭିଜନ ସମ୍ୱାଦ ଉପଭୋକ୍ତା ଦେଶର ଅନ୍ୟପ୍ରାନ୍ତ ତୁଳନାରେ କମ । ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ୩୬ ପ୍ରତିଶତ, ଉତ୍ତରାଞ୍ଚଳରେ ୨୬ ପ୍ରତିଶତ ଓ ପଶ୍ଚିମାଞ୍ଚଳରେ ୨୩ ପ୍ରତିଶତ ଟେଲିଭିଜନ ଦର୍ଶକ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ପସନ୍ଦ କରୁଥିବାବେଳେପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଅନୁରୂପ ସଂଖ୍ୟା ମାତ୍ର ୧୫ ପ୍ରତିଶତ ଗଣନା କରାଯାଇଛି । ଅର୍ଥାତ ଏଠାକାର ଟେଲିଭିଜନ ଦର୍ଶକମାନେ ସେମାନଙ୍କ ମୋଟ ଟେଲିଭିଜନ ଦେଖାରେ ବ୍ୟୟ କରୁଥିବା ସମୟ ମଧ୍ୟରୁ ମାତ୍ର ୧୫ ପ୍ରତିଶତ ସମୟ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ଦେଖିଥାନ୍ତି ।


 

ଦେଶରେ ୨୦୧୮ ଆରମ୍ଭ ସୁଦ୍ଧା ସରକାରୀ ଲାଇସେନ୍ସ ପ୍ରାପ୍ତ ୮୫୦ ଗୋଟି ଟେଲିଭିଜନ ଚ୍ୟାନେଲ ମଧ୍ୟରୁ ପ୍ରାୟ ୧୧୫ ଗୋଟି ସମ୍ୱାଦଭିତ୍ତିକ ଟେଲିଭିଜନ ଚ୍ୟାନେଲ କାର୍ଯ୍ୟକ୍ଷମ ରହିଥିଲା । ଏଥିରୁ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ଆସାମରେ ୮ ଗୋଟି, ବଙ୍ଗଳାରେ ୯ ଗୋଟି ଓ ଓଡ଼ିଆରେ ସର୍ବାଧିକ ୧୦ ଗୋଟି ସମ୍ୱାଦଭିତ୍ତିକ ଟେଲିଭିଜନ ଚ୍ୟାନେଲ ଅନ୍ତର୍ଭୁକ୍ତ । ଏହି ଅଞ୍ଚଳରେ ଆଞ୍ଚଳିକ ଚ୍ୟାନେଲଗୁଡ଼ିକ ସାଙ୍ଗକୁ ହିନ୍ଦୀର ୨୧ ଗୋଟି ଓ ଇଂଲିଶର ୧୨ ଗୋଟି ସମ୍ୱାଦଭିତ୍ତିକ ଚ୍ୟାନେଲ ମଧ୍ୟ ଉପଲବ୍ଧ । ତେବେ ସମ୍ୱାଦ ପ୍ରତି ସ୍ଥାନୀୟ ଟେଲିଭିଜନ ଦର୍ଶକମାନେ ଏକରକମ ବିମୁଖ ଥିବା ଏଭଳି ପରିସଂଖ୍ୟାନରୁ ପ୍ରମାଣିତ ହୋଇଥାଏ ।


 

ଓଡ଼ିଶା, ଆସାମ ଓ ପଶ୍ଚିମ ବଙ୍ଗ ସର୍ବଭାରତୀୟସ୍ତରରେ ତୁଳନାତ୍ମକଭାବେ ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ତୃଣମୂଳସ୍ତରରେ ପଛୁଆ ବୋଲି ବିଚ଼ାର କରାଯାଏ । ଏଠାକାର ଜନସଂଖ୍ୟା ମୁଖ୍ୟତଃ କୃଷିଜୀବୀ ଓ ଦିନମଜୁରିଆ ଶ୍ରେଣୀଭୁକ୍ତ ହୋଇଥିବା ତଥା ଗ୍ରାମାଞ୍ଚଳରେ ବସବାସ ପରିବେଶରେ ଟେଲିଭିଜନକୁ ମନୋରଞ୍ଜନର ମାଧ୍ୟମରୂପେ ଗ୍ରହଣ କରୁଥିବା ଦେଖିବାକୁ ମିଳିଥାଏ । ମାତ୍ର ୧୫ ପ୍ରତିଶତ ଦର୍ଶକଙ୍କୁ ପାଥେୟ କରି ଓଡ଼ିଆ ଟେଲିଭିଜନ ଶିଳ୍ପରେ ଦଶଗୋଟି ଚ୍ୟାନେଲର ଉପସ୍ଥିତି ଏଠାରେ ପ୍ରସାରଣକୁ ବ୍ୟବସାୟ ଭିନ୍ନ ବିକଳ୍ପ ଲକ୍ଷ୍ୟରେ ପରିଚ଼ାଳନା କରାଯାଉଥିବା ସ୍ପଷ୍ଟ ହୋଇଥାଏ ।


 

ଅନ୍ୟାନ୍ୟ ଆଞ୍ଚଳିକ ଭାରତୀୟ ଭାଷା ସମୂହମଧ୍ୟରେ ତେଲୁଗୁରେ ୧୬ ଗୋଟି, ତାମିଲ ଓ ମାଳାୟଳମରେ ପ୍ରତ୍ୟେକ ୧୦ ଗୋଟି, କନ୍ନଡ଼ ଓ ମରାଠୀରେ ପ୍ରତ୍ୟେକ ୮ ଗୋଟି ଏବଂ ପଞ୍ଜାବୀରେ ୩ ଗୋଟି ସମ୍ୱାଦଭିତ୍ତିକ ଟେଲିଭିଜନ ଚ଼୍ୟାନେଲ କାର୍ଯ୍ୟ କରୁଛି । ସର୍ବଭାରତୀୟସ୍ତରରେ ହାରାହାରି ମାତ୍ର ଆଠ ପ୍ରତିଶତ ସମୟ ଟେଲିଭିଜନ ଉପଭୋକ୍ତାମାନେ ସମ୍ୱାଦ କାର୍ଯ୍ୟକ୍ରମ ଦେଖିଥାନ୍ତି । ଟେଲିଭିଜନ ଦର୍ଶକଙ୍କ ପ୍ରଥମ ପସନ୍ଦ ସିନେମା ତଥା ଦ୍ୱିତୀୟ ପସନ୍ଦ ସାଧାରଣ ମନୋରଞ୍ଜନ ଥିବାବେଳେ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମର ସ୍ଥାନ ତୃତୀୟ ରହିଛି ।


 

ଭାରତୀୟ ଟେଲିଭିଜନ ଦର୍ଶକଙ୍କ ରୁଚ଼ି ସଂପର୍କରେ ‘ବ୍ରଡ଼କାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ’ ପକ୍ଷରୁ ଏକ ସର୍ବେକ୍ଷଣରେ ଜଣାଯାଇଛି ଯେ ଦେଶରେ ସମ୍ୱାଦଭିତ୍ତିକ ଟେଲିଭିଜନ ଚ଼୍ୟାନେଲଗୁଡ଼ିକ ମୁଖ୍ୟତଃ ୨୨ ବର୍ଷରୁ ଉର୍ଦ୍ଧ୍ୱ ପୁରୁଷ ଦର୍ଶକମାନଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥାଏ । ତେବେ ଶିଶୁ-କିଶୋର-ଯୁବ ବର୍ଗ ମଧ୍ୟ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକୁ ଦେଖିଥାନ୍ତି ।ଆଲୋଚ଼କମାନଙ୍କ ମତରେ ପ୍ରାପ୍ତବୟସ୍କମାନେ ନିଜ ରୁଚ଼ି ଅନୁଯାୟୀ ଟେଲିଭିଜନ କାର୍ଯ୍ୟକ୍ରମ ଦେଖୁଥିବାସ୍ଥଳେ ହୁଏତ ଶିଶୁ-କିଶୋର-ଯୁବ ବର୍ଗ ଏକେତ ପାରିବାରିକ ପରିବେଶରେ ଗୋଟିଏ ଟେଲିଭିଜନ ଥିବା ଘରେ ବାଧ୍ୟବାଧକତାରେ ଅନ୍ୟମାନଙ୍କ ସହ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ଦେଖିଥାନ୍ତି କିମ୍ୱା ସମକାଳୀନ ଜନସଂଖ୍ୟାରେ ସେମାନଙ୍କ ସଂଖ୍ୟା ଅର୍ଦ୍ଧେକ ହୋଇଥିବା ହେତୁ ଆନୁପାତିକ ହିସାବରେ ସଂଖ୍ୟା ବଢ଼ିଯାଉଥାଇପାରେ ।


 

ପ୍ରଶ୍ନଉଠେ ସମ୍ୱାଦଭିତ୍ତିକ ଟେଲିଭିଜନ କାର୍ଯ୍ୟକ୍ରମକୁ ଯଦି ସଂଖ୍ୟାଧିକ କମବୟସର ଦର୍ଶକ ଦେଖୁଛନ୍ତି ତେବେ କାର୍ଯ୍ୟକ୍ରମ ପ୍ରଯୋଜନା କ୍ଷେତ୍ରରେ ଆମେ ସେଥିପ୍ରତି ଦୃଷ୍ଟି ଦେଉଛେ କି ? ଯଦି ଦେଉ ନାହୁଁ, ତେବେ ସେମାନଙ୍କ ରୁଚ଼ିକୁ ସୁହାଇଲାଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ ନିମନ୍ତେ ଯତ୍ନବାନ ହେବା ଉଚ଼ିତ ନୁହେଁ କି ? ବିଶେଷକରି ଟେଲିଭିଜନ ରେଟିଂ ପଏଣ୍ଟ ହାସଲ କରିବାରେ ପଛରେ ରହୁଥିବା ଟେଲିଭିଜନ ଚ଼୍ୟାନେଲଗୁଡ଼ିକ ଶିଶୁ-କିଶୋର-ଯୁବ ବର୍ଗର ଦର୍ଶକଙ୍କ ନିମନ୍ତେ ସମ୍ୱାଦ ସହ ଜ୍ଞାନ-ପରିବର୍ଦ୍ଧକ କାର୍ଯ୍ୟକ୍ରମପ୍ରତି ଗୁରୁତ୍ୱ ଦେଲେ ଦର୍ଶକଙ୍କ ଆଗ୍ରହ ଅକ୍ତିଆର କରିପାରିବେବୋଲି ବିଶ୍ୱାସ କରାଯାଇପାରେ ।


 

ସୀମିତ ଦର୍ଶକୀୟ ସମର୍ଥନ ସତ୍ତ୍ୱେ ଭାରତରେ ସମ୍ୱାଦଭିତ୍ତିକ ଟେଲିଭିଜନ ଚ଼୍ୟାନେଲ ସଂଖ୍ୟା ବଢ଼ି ଚାଲିଛି । ୨୦୧୭ରେ ବର୍ଷକ ମଧ୍ୟରେ ୨୧ ଗୋଟି ନୂଆ ଚ଼୍ୟାନେଲ ଅର୍ଥାତ ପୂର୍ବବର୍ଷ ତୁଳନାରେ ୧୫ ପ୍ରତିଶତ ବୃଦ୍ଧି ହିସାବ କରାଯାଇଛି ।


 

ପାରମ୍ପରିକଭାବେ ଟେଲିଭିଜନର ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ଦୁଇଗୋଟି ଧାରାରେ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ଏକପକ୍ଷରେ କେତେକ ଦର୍ଶକ ନିୟମିତଭାବେ ସମ୍ୱାଦ କାର୍ଯ୍ୟକ୍ରମ ଦେଖିଥାନ୍ତି । ବର୍ଷସାରା ଧାରାବାହିକ ଏକ ବା ଅଧିକ ଚ଼୍ୟାନେଲର ଏକ ବା ଅଧିକ ସମ୍ୱାଦ ବୁଲେଟିନ ଦେଖିବା ସେମାନଙ୍କ ଅଭ୍ୟାସ ପାଲଟିଯାଇଥାଏ । ଅପରପକ୍ଷରେ ଗୁରୁତ୍ୱପୂର୍ଣ୍ଣ ଘଟଣା ସଂପର୍କରେ ସମ୍ୱାଦ ଜାଣିବା ନିମନ୍ତେ ଅନ୍ୟ କେତେକ ଦର୍ଶକ ବେଳେବେଳେ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ପ୍ରତି ଆଗ୍ରାହାନ୍ୱିତ ହୋଇଥାନ୍ତି । ୨୦୧୭ରେ କେତେକ ରାଜ୍ୟରେ ବିଧାନସଭା ନିର୍ବାଚ଼ନ ସାଙ୍ଗକୁ ବିମୁଦ୍ରାୟନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପରଲୋକ ଓ ସେନା ବାହିନୀର ସର୍ଜିକାଲ ଷ୍ଟ୍ରାଇକ ଭଳି ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ବିବରଣୀ ଜାଣିବା ନିମନ୍ତେ ନିୟମିତ ଟେଲିଭିଜନ ସମ୍ୱାଦ ନ ଦେଖୁଥିବା ଦର୍ଶକ ଟେଲିଭିଜନ କାର୍ଯ୍ୟକ୍ରମପ୍ରତି ଆଗ୍ରାହାନ୍ୱିତ ହୋଇଥିଲେ ।


 

ଭାରତରେ ସମ୍ୱାଦଭିତ୍ତିକ ଟେଲିଭିଜନ ଚ଼୍ୟାନେଲଗୁଡ଼ିକୁ ନିକଟ ଭବିଷ୍ୟତରେ ମୁଦ୍ରଣ ଓ ଇଣ୍ଟରନେଟ ମଞ୍ଚ ସହ ମୁକାବିଲା କରିବାକୁ ପଡ଼ିବ । ପାଠକ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ଆନ୍ତର୍ଜାତିକସ୍ତରରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ସମ୍ୱାଦ ପରିବେଷଣରେ ନୂତନ ଶୈଳୀ ଓ କୌଶଳ ଉପଯୋଗ କରିବା ଆରମ୍ଭ କରିଥିବାସ୍ଥଳେ ଖୁବ୍ ଶୀଘ୍ର ତାହା ଆମ ଦେଶରେ ପ୍ରତିବିମ୍ୱିତ ହେବ । ଅପରପକ୍ଷେ ଇଣ୍ଟରନେଟଭିତ୍ତିକ ସମ୍ୱାଦ ଉତ୍ପାଦଗୁଡ଼ିକ ପରିବେଷଣଜନିତ କ୍ଷୀପ୍ରତା ତଥା ଗଭୀର ଆଞ୍ଚଳିକତା ବା ‘ହାଇପର ଲୋକାଲାଇଜେସନ’କୁ ସୁହାଇବା ସୁଯୋଗ ଦର୍ଶକଙ୍କୁ ଆକର୍ଷିତ କରିଚ଼ାଲିବ । ସର୍ବୋପରି ମୋବାଇଲ ଫୋନର ଲୋକପ୍ରିୟତା ବୃଦ୍ଧି ତଥା ଏହାର ପରଦାରେ ସମ୍ୱାଦପତ୍ର, ଟେଲିଭିଜନ ଚ଼୍ୟାନେଲ ଓ ଇଣ୍ଟରନେଟଭିତ୍ତିକ ସମ୍ୱାଦ ଉତ୍ପାଦ ସମସ୍ତଙ୍କ ପାଇଁ ଏକକମଞ୍ଚ ପ୍ରସ୍ତୁତ କରିଥିବା ଅବସରରେ ପ୍ରତିଦ୍ୱନ୍ଦିତା ବଢ଼ିଚାଲିବା ଆଶା କରାଯାଇପାରେ । ପ୍ରତିଯୋଗିତାମୂଳକ ପରିବେଶରେ ବଞ୍ଚିରହିବା ନିମନ୍ତେ କାର୍ଯ୍ୟକ୍ରମ ପ୍ରଯୋଜନାରେ ସର୍ଜନଶୀଳତା ହିଁ ଏକ ମାତ୍ର ରାସ୍ତା । ଦଶ ଗୋଟି ସମ୍ୱାଦଭିତ୍ତିକ ଓଡ଼ିଆ ଟେଲିଭିଜନ ଚ଼୍ୟାନେଲ ଏଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଫେବୃୟାରୀ ୨୦୧

ସକ୍ରିୟ ଟେଲିଭିଜନ ଦର୍ଶକ ହାରରେ ପରିବର୍ତ୍ତନ

ସକ୍ରିୟ ଟେଲିଭିଜନ ଦର୍ଶକ ‘ଏକ୍ଟିଭ ଟେଲିଭିଜନ ଅଡ଼ିଏନ୍ସ’କୁ ବୁଝାଏ । ଅର୍ଥାତ, ପାରିବାରିକ ପରିବେଶରେ ଟେଲିଭିଜନ ପ୍ରଦର୍ଶନ ଅବସରରେ ଯେଉଁ ବ୍ୟକ୍ତି ଚ୍ୟାନେଲ ଓ କାର୍ଯ୍ୟକ୍ରମ ଚୟନ କରିଥାଏ, ତାହାକୁ ‘ସକ୍ରିୟ ଟେଲିଭିଜନ ଦର୍ଶକ’ ଏବଂ ପରିବାରର ଅନ୍ୟ ଯେଉଁ ସଦସ୍ୟମାନେ ଟେଲିଭିଜନ ସେଟ ସମ୍ମୁଖରେ ଉପସ୍ଥିତ ଥାନ୍ତି, ସେମାନଙ୍କୁ ‘ସହଯୋଗୀ ଦର୍ଶକ’ ଅଭିହିତ କରାଯାଏ । ସାଧାରଣତଃ ସକ୍ରିୟ ଟେଲଭିଜନ ଦର୍ଶକଙ୍କ ହାତରେ ରିମୋଟ ରହିଥାଏ ଏବଂ ସେ ସାମୂହିକ ବୁଝାମଣାରେ ହେଉ କିମ୍ୱା ମନମୁତାବକ ଯେଉଁ କାର୍ଯ୍ୟକ୍ରମ ନିର୍ବାଚିତ କରିଥାନ୍ତି ତାହା ପରିବାରର ସମସ୍ତେ ଦେଖନ୍ତି ।


 

ଭାରତର ଅନ୍ୟତମ ଅଗ୍ରଣୀ ଟେଲିଭିଜନ ଦର୍ଶକ ସର୍ବେକ୍ଷଣ ସଂସ୍ଥା ‘ଓରମାକ୍ସ ମିଡ଼ିଆ’ ପକ୍ଷରୁ ଗତ ୨୦୨୦ ଶେଷ ତ୍ରୟମାସ, ଅକ୍ଟୋବର ଠାରୁ ଡ଼ିସେମ୍ୱର ମଧ୍ୟରେ ଦେଶବ୍ୟାପୀ ପାଞ୍ଚ ହଜାର ଟେଲିଭିଜନ ଦର୍ଶକଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇ ‘ଏଣ୍ଡ ଦି ରିମୋଟ ଗୋସ ଟୁ-ଟେଲିଭିଜନ ରିମୋଟ କଣ୍ଟ୍ରୋଲ ଡାୟନାମିକ୍ସ ଇନ ଆର୍ବନ ଇଣ୍ଡିଆନ ହାଉସହୋଲଡସ’ ଶୀର୍ଷକ ଏକ ବିବରଣୀରେ ବିଶ୍ଳେଷଣ କରାଯାଇଛି । ଏଥିରୁ ଜଣାଯାଏ ଯେ ସନ୍ଧ୍ୟା ୭ରୁ ରାତି ୧୧ ଘଣ୍ଟା ଯାଏଁ ‘ପ୍ରାଇମ-ଟାଇମ’ରେ ମୋଟ ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ୫୬ ପ୍ରତିଶତ ‘ସକ୍ରିୟ ଦର୍ଶକ’ ପୁରୁଷ ଶ୍ରେଣୀ ଅନ୍ତର୍ଭୁକ୍ତ ।


 

ଟେଲିଭିଜନ କାର୍ଯ୍ୟକ୍ରମ, ବିଶେଷକରି ପ୍ରାଇମ-ଟାଇମ କାର୍ଯ୍ୟକ୍ରମ ପ୍ରସ୍ତୁତି କାଳରେ ପାରମ୍ପରିକଭାବେ ମହିଳାମାନଙ୍କୁ ସକ୍ରିୟ ଟେଲିଭିଜନ ଦର୍ଶକ ଭାବେ ଧରିନେଉ । ଅର୍ଥାତ, ପାରିବାରିକ ପରିବେଶରେ ପ୍ରାଇମ-ଟାଇମରେ ମହିଳାମାନେ ହିଁ କାର୍ଯ୍ୟକ୍ରମ ଚୟନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ । ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜକଙ୍କ ଏହି ଦୃଷ୍ଟିଭଙ୍ଗୀ ଆଠ-ଦଶ ବର୍ଷ ପୂର୍ବର ତଥ୍ୟ ଆଶ୍ରୟରେ ଗଢ଼ି ଉଠିଥିଲା । ୨୦୧୨ ବେଳକୁ ମହିଳା ସକ୍ରିୟ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ୭୨ ପ୍ରତିଶତ ଥିବା ସ୍ଥଳେ ୨୦୨୦ରେ ୪୪ ପ୍ରତିଶତକୁ ଖସି ଆସିଛି । ଅପରପକ୍ଷେ ୨୦୧୨ରେ ପୁରୁଷ ସକ୍ରିୟ ଟେଲିଭିଜନ ଦର୍ଶକ ସଂଖ୍ୟା ୨୮ ପ୍ରତିଶତ ଥିବା ସ୍ଥଳେ ୨୦୨୦ରେ ୫୬ ପ୍ରତିଶତକୁ ବୃଦ୍ଧି ପାଇଛି ।


 

ଦର୍ଶକୀୟ ରୁଚ଼ି ସଂପର୍କୀତ ତଥ୍ୟ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜନାର ମୁଖ୍ୟ ଆଧାର । ଦୁଇ ଦଶନ୍ଧି ପୂର୍ବେ ‘କ୍ୟୁଙ୍କି ଶାଶ ଭି କଭି ବୋହୂ ଥି’ ଭଳି ଟେଲିଭିଜନ ଧାରାବାହିକର ଅଭୂତପୂର୍ବ ସଫଳତା ପରଠୁ ପ୍ରାଇମ-ଟାଇମରେ ମହିଳା-କେନ୍ଦ୍ରୀକ କାର୍ଯ୍ୟକ୍ରମ ପ୍ରସାରଣର ଧାରା ଅବ୍ୟାହତ ରହିଛି । ତେବେ ଇତି ମଧ୍ୟରେ ସକ୍ରିୟ ଟେଲିଭିଜନ ଦର୍ଶକ ହାରରେ ପରିବର୍ତ୍ତନ ଦେଶରେ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜନାରେ ବ୍ୟାପକ ପରିବର୍ତ୍ତନର ସୂଚ଼ନା ଦିଏ ।


 

ଅବଶ୍ୟ ଆଲୋଚ୍ୟ ‘ଓରମାସ୍କ ମିଡ଼ିଆ’ର ସର୍ଭେ ଦେଶର ସହରାଞ୍ଚଳ-କେନ୍ଦ୍ରୀକ ହୋଇଥିବା ହେତୁ ଓଡ଼ିଶା ଭଳି ଗ୍ରାମ-ବହୁଳ ରାଜ୍ୟର ଟେଲିଭିଜନ ଶିଳ୍ପରେ କେତେଦୂର ପ୍ରଯୁଜ୍ୟ ତାହା ବିଚାର୍ଯ୍ୟ । ତେବେ ଜାତୀୟସ୍ତରରେ ସହରାଞ୍ଚଳରେ ଯେଉଁ ପ୍ରବାହ ଦେଖା ଦେଇଛି, ତାହା ତତ୍ କ୍ଷଣାତ ନହେଲେ ମଧ୍ୟ ସମୟକ୍ରମେ ଗ୍ରାମାଞ୍ଚଳ ଦର୍ଶକଙ୍କ କ୍ଷେତ୍ରରେ ଯେ ପ୍ରତିବିମ୍ୱିତ ହେବ ଏଥିରେ ସନ୍ଦେହ ନାହିଁ । ତେଣୁ ଅବିଚାରିତ ଭାବେ ପ୍ରାଇମ ଟାଇମ ନିମନ୍ତେ ମହିଳା-କେନ୍ଦ୍ରୀକ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜନା କାଳରେ ସତର୍କତା ଅବଲମ୍ୱନର ସମୟ ଆସି ପହଞ୍ଚିଛି ବୋଲି କହିବାକୁ ହେବ ।


 

ଭାରତରେ ୧୯ କୋଟି ୭୦ ଲକ୍ଷ ପରିବାରଙ୍କଠାରେ ମାତ୍ର ଗୋଟିଏ ଟେଲିଭିଜନ ସେଟ ଉପଲବ୍ଧ । ପୁରା ପରିବାର ମୁଖ୍ୟତଃ ସନ୍ଧ୍ୟାକାଳୀନ ପ୍ରାଇମ-ଟାଇମରେ ଏକତ୍ର ଟେଲିଭିଜନ ଉପଭୋଗ କରନ୍ତି । ଦେଶର ଟେଲିଭିଜନ ଦର୍ଶକ ସଂଖ୍ୟା ୮୩ କୋଟି ୩୬ ଲକ୍ଷ ହିସାବ କରାଯାଏ । ଟେଲିଭିଜନ ବିଜ୍ଞାପନ ବାବଦର ୩୨ ହଜାର କୋଟି ଟଙ୍କା ବାର୍ଷିକ ବ୍ୟୟ ହୁଏ ।


 

‘ବ୍ରଡ଼କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ’ର ତଥ୍ୟ ଅନୁଯାୟୀ ୨୦୧୫ ତୁଳନାରେ ପାଞ୍ଚବର୍ଷ ମଧ୍ୟରେ ୨୦୨୦ରେ ଦର୍ଶକଙ୍କ ଆଚ଼ରଣରେ ବହୁ ପରିବର୍ତ୍ତନ ସଂଘଟିତ ହୋଇଛି । ସାଧାରଣରେ ମନୋରଞ୍ଜନ ‘ଜେନେରାଲ ଏଣ୍ଟରଟେନମେଣ୍ଟ ଚ୍ୟାନେଲ’ର ଦର୍ଶକ ସଂଖ୍ୟା ୨୦୧୫ରେ ସର୍ବାଗ୍ରେ ୬୭ ପ୍ରତିଶତ ସ୍ତରରେ ଥିବାସ୍ଥଳେ ୨୦୨୦ରେ ୬୩ ପ୍ରତିଶତକୁ ଖସିଛି । ଅପରପକ୍ଷେ ସେହି ସମୟ ସୀମାରେ ଚଳଚ଼ିତ୍ର ଚ୍ୟାନେଲଗୁଡ଼ିକର ଦର୍ଶକ ସଂଖ୍ୟା ୧୮ ପ୍ରତିଶତରୁ ୨୪ ପ୍ରତିଶତକୁ ବଢ଼ିଛି । ସମ୍ୱାଦ ଚ୍ୟାନେଲର ଦର୍ଶକ ସଂଖ୍ୟା ମଧ୍ୟ ୬ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି ପାଇଛି ।


 

ସମ୍ୱାଦ ଚ୍ୟାନେଲଗୁଡ଼ିକର ଆଦର ବଢିଥିବା ଓଡ଼ିଶା ଟେଲିଭିଜନ ପରିବେଶରେ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ପ୍ରଯୋଜନାରେ କ୍ରମାଗତ ଅବହେଳା ସଂଶୋଧନ ନିମନ୍ତେ ତତ୍ପରତା ପ୍ରକାଶ ପାଇବା ଆଶା କରାଯାଇପାରେ । ଜାତୀୟସ୍ତରରେ ବିଜ୍ଞାପକମାନେ କ୍ରମଶଃ ମହିଳାକେନ୍ଦ୍ରୀକ କାର୍ଯ୍ୟକ୍ରମ ବଦଳରେ ପୁରୁଷ-କେନ୍ଦ୍ରୀକ ସମ୍ୱାଦ, ନନ-ଫିକ୍ସନ, ରିଆଲିଟି-ସୋ ଓ ହାସ୍ୟ-ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମରେ ବିଜ୍ଞାପନ ସ୍ଥାନିତ କରିବାକୁ ଆଗ୍ରାହାନ୍ୱିତ ହେବେ । ଓଡ଼ିଶାକୁ ଏକ ପଛୁଆ ରାଜ୍ୟଭାବେ ଉପସ୍ଥାପିତ କରି ଦୁଇ ଦଶକ ପୂର୍ବର ମହିଳା-କେନ୍ଦ୍ରୀକ ଧାରା ସପକ୍ଷରେ ଯୁକ୍ତି ବାଢିବା କଷ୍ଟସାଧ୍ୟ ପ୍ରମାଣିତ ହୋଇପାରେ । ଅପରପକ୍ଷେ ଉନ୍ନତ ଦର୍ଶକୀୟ ରୁଚି ପ୍ରସାର ନିମନ୍ତେ ମଧ୍ୟ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜକମାନଙ୍କ ଗୁରୁ ଦାୟିତ୍ୱ ରହିଛି ।


 

ଗଣମାଧ୍ୟମ ବିଶ୍ଳେଷିକା ବନିତା କୋହଲି ଖଣ୍ଡେରକର ୨୦୧୫ରୁ ୨୦୨୦ ପାଞ୍ଚ ବର୍ଷ ମଧ୍ୟରେ ମହିଳାମାନଙ୍କ ହାତରେ ସ୍ମାର୍ଟଫୋନ ପହଞ୍ଚିବା ତଥା ଫେସବୁକ, ହ୍ୱାଟସଆପ, ଓ ୟୁଟ୍ୟୁବ ଭଳି ଡ଼ିଜିଟାଲ ମିଡିଆ ମଞ୍ଚରେ ବ୍ୟସ୍ତ ରହିବା ଫଳରେ ଟେଲିଭିଜନ ରିମୋଟ ବ୍ୟବହାରରୁ ଦୂରେଇ ଯିବାର ଏକ ବିଶିଷ୍ଟ କାରଣ ଅଭିହିତ କରିଥାନ୍ତି । ଅବଶ୍ୟ ଏହି କ୍ଷେତ୍ରରେ ମଧ୍ୟ ଗ୍ରାମୀଣ ଓଡ଼ିଶାର ମହିଳାଙ୍କ ପାଖରେ ସ୍ମାର୍ଟଫୋନ ପହଞ୍ଚିନଥିବା ତଥ୍ୟ ବିଚାର ପରିସରକୁ ଆସିପାରେ । ତେବେ ଗ୍ରାମୀଣ ଓଡିଶାରେ ଯେ ସ୍ମାର୍ଟଫୋନ ବ୍ୟବହାର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଏହି କଥାକୁ ମଧ୍ୟ ଏଡ଼ାଇ ଦିଆ ନଯାଇପାରେ ।


 

ଓଡ଼ିଶାରେ ଟେଲିଭିଜନ ବିଜ୍ଞାପନ-ଆଶ୍ରିତ ମଡ଼େଲରେ ବିକଶିତ ହୋଇଛି । ଟେଲିଭିଜନ ସର୍ବାପେକ୍ଷା ଲୋକପ୍ରିୟ ମଞ୍ଚରୂପେ ପରିଗଣିତ । ‘ବ୍ରଡ଼କାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ’ ପକ୍ଷରୁ ୨୦୨୧ ମାର୍ଚ୍ଚ ପ୍ରଥମାର୍ଦ୍ଧରେ ପ୍ରକାଶିତ ବିବରଣୀ ଅନୁଯାୟୀ ବିଗତ ପାଞ୍ଚବର୍ଷର ହିସାବରେ ୨୦୨୧ ଜାନୁୟାରୀ-ଫେବୃୟାରୀ ମାସରେ ସର୍ବାପେକ୍ଷା ଅଧିକ ଟେଲିଭିଜନ ବିଜ୍ଞାପନ ଆୟ ସଂଭବ ହୋଇଛି । ଓଡ଼ିଶାରେ ସଂଘର୍ଷରତ ଟେଲିଭିଜନ ଚ୍ୟାନେଲଗୁଡ଼ିକ ମଧ୍ୟରେ ଏହି ତଥ୍ୟ ଆଶା ସଂଚାର କରିବ ।


 

ପରିବର୍ତ୍ତିତ ପରିପ୍ରେକ୍ଷୀରେ ଓଡ଼ିଆ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଧାରାବାହିକୀରୁ ଚଳଚ଼ିତ୍ର, କେବଳ ସମ୍ୱାଦ ସହ ସମ୍ୱାଦଭିତ୍ତିକ ପ୍ରାମାଣିକ ଚ଼ିତ୍ର, ଆଲୋଚନା ଓ ରିଆଲିଟି-ସୋ ଏବଂ ସର୍ବୋପରି ଗୁଣାତ୍ମକ କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ପ୍ରତିଭା ଚୟନରେ ଗୁରୁତ୍ୱ ଦେବା ସମୟ ଉପନୀତ । କ୍ରମଶଃ ବୈଷୟିକ କୌଶଳରେ ଉନ୍ନତି, ଡିଜିଟାଲ ଢ଼ାଞ୍ଚାରେ ପ୍ରଯୋଜନା ଖର୍ଚ୍ଚ ହ୍ରାସ ଓ ଅଧିକ ସଂଖ୍ୟକ ନବ-ପ୍ରତିଭା ଗଣମାଧ୍ୟମ ପରିସରକୁ ଆକୃଷ୍ଟ ହେଉଥିବା ସ୍ଥଳେ ଉପଯୁକ୍ତ ପରିଚାଳନାଗତ ଦକ୍ଷତା ଅଭାବରୁ ଓଡ଼ିଆ ଟେଲିଭିଜନ ବିକଶିତ ହୋଇପାରୁନଥିବା ବିଶ୍ୱାସ କରାଯାଏ । ଏଦିଗରେ ପ୍ରାଥମିକସ୍ତରରେ ବିଚାରବିମର୍ଷ ଜରୁରୀ ।    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ମାର୍ଚ୍ଚ ୨୦୨୧


ତଥ୍ୟ :


 

Kohli Khandarkar, Vanita. Who owns the TV remote. Business Standard (Bhubaneswar Edition). March 18, 2021.


 

Pinto, Viveat Susan. TV ad volumes in Jan-Feb touch 5-year high : BARC. Business Standard (Bhubaneswar Edition). March 19. 2021.

ଗ୍ରାମାଞ୍ଚଳ ଟେଲିଭିଜନ ଦର୍ଶକ

ଭାରତରେ ପ୍ରାୟ ୩୦ କୋଟି ପରିବାର ବସବାସ କରୁଥିବା ସ୍ଥଳେ ୧୯ କୋଟି ୭୦ ଲକ୍ଷ ପରିବାରଙ୍କ ଗୃହରେ ଟେଲିଭିଜନ ସେଟ ଉପଲବ୍ଧ । ଅର୍ଥାତ ଦଶ କୋଟି ସରିକି ପରିବାର ନିଜ ବାସଗୃହରେ ଟେଲିଭିଜନ ପ୍ରସାରଣ ସେବା ଗ୍ରହଣରୁ ବଞ୍ଚିତ । ସେମାନଙ୍କ ମଧ୍ୟରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାର ସଂଖ୍ୟା ଅଧିକ । ପରିସଂଖ୍ୟାନ ଅନୁଯାୟୀ ୨୦୨୫ରୁ ୨୦୨୭ ମଧ୍ୟରେ ସାତରୁ ଆଠ କୋଟି ଅଧିକ ପରିବାରଙ୍କ ବାସଗୃହରେ ଟେଲିଭିଜନ ସେଟ ପହଞ୍ଚିବ । ଗ୍ରାମାଞ୍ଚଳରେ ଶତ ପ୍ରତିଶତ ବାସଗୃହକୁ ବିଦ୍ୟୁତ ସଂଯୋଗ ଓ ପାରିବାରିକ ଆର୍ଥିକ ଅଭିବୃଦ୍ଧି ହେତୁ ଟେଲିଭିଜନ ସେଟ କ୍ରୟ ସମ୍ଭବପର ହେବା ଫଳରେ ଗ୍ରାମାଞ୍ଚଳରେ ଟେଲିଭିଜନ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଏ ।


 

ବିକଶିତ ରାଷ୍ଟ୍ରଗୁଡ଼ିକରେ ପରିବାର ପିଛା ଏକରୁ ଅଧିକ ଟେଲିଭିଜନ ସେଟ ଉପଲବ୍ଧ ଏବଂ ଦର୍ଶକମାନେ ଟେଲିଭିଜନ ସେଟ ସାଙ୍ଗକୁ ସ୍ମାର୍ଟଫୋନ ପରଦାରେ ଟେଲିଭିଜନ କାର୍ଯ୍ୟକ୍ରମ ଆହରଣ କରିଥାନ୍ତି । ଭାରତରେ ଦଶ କୋଟି ପରିବାର ନିଜ ଘରେ ଟେଲିଭିଜନ ସେଟ ଅପେକ୍ଷାରେ ଥିବା ସ୍ଥଳେ ସ୍ମାର୍ଟ ଫୋନ ପରଦା ମଧ୍ୟ ଟେଲିଭିଜନ କାର୍ଯ୍ୟକ୍ରମ ଆହରଣର ବିକଳ୍ପ ଧାରା ରୂପେ ଲୋକପ୍ରିୟ ହେବାରେ ଲାଗିଛି । ଉଭୟ କାରଣରୁ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ବଢ଼ିଚାଲିଛି ଏବଂ ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଶେଷ ଯାଏଁ ବଳବତ୍ତର ରହିବା ଆଶା କରାଯାଏ ।


 

ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଦର୍ଶକ ସଂଖ୍ୟା ଓ ଉପସ୍ଥିତିର ଅବଧି ଉପରେ ବିଜ୍ଞାପନ ବ୍ୟୟ ନିର୍ଭରଶୀଳ । ଦେଶର ଗ୍ରାମାଞ୍ଚଳରେ ଟେଲିଭିଜନ ଦର୍ଶକ ବୃଦ୍ଧି ପାଉଥିବା ତଥା ଗ୍ରାମାଞ୍ଚଳ ପରିବାରଗୁଡ଼ିକର ଆର୍ଥିକ ମାନଦଣ୍ଡ ବଢ଼ି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟଶକ୍ତି ବୃଦ୍ଧି ପାଉଥିବା ହେତୁ ଟେଲିଭିଜନ ମଞ୍ଚରେ ବ୍ୟାବସାୟିକ ବିଜ୍ଞାପନ ପ୍ରଦର୍ଶନ ଉତ୍ସାହଜନକ ସ୍ଥିତିରେ ରହିଛି ଏବଂ ନିକଟ ଭବିଷ୍ୟତରେ ସ୍ଥିତାବସ୍ଥା ବଜାୟ ରହିବା ନିଶ୍ଚିତ । ଅବଶ୍ୟ ଗ୍ରାମାଞ୍ଚଳ ଟେଲିଭିଜନ ଦର୍ଶକଙ୍କ ନିମନ୍ତେ ବିଜ୍ଞାପନ ପ୍ରଦର୍ଶନ କ୍ଷେତ୍ରରେ ସାମୟିକ ଆନୁସଙ୍ଗିକ ପରିବେଶ ପ୍ରଭାବିତ କରିଥାଏ । ଅର୍ଥାତ ବିଭିନ୍ନ କାରଣରୁ ଟେଲିଭିଜନ ଚ୍ୟାନେଲଗୁଡ଼ିକର ଲୋକପ୍ରିୟତା ବଢ଼ିବାଛିଡ଼ିବା ଅବସରରେ ବିଜ୍ଞାପନ ବ୍ୟୟ ସର୍ବୋତ୍ତମ ଚ୍ୟାନେଲ ଆଡ଼କୁ ମୁହାଁଇଥାଏ ।


 

ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ‘ଟ୍ରାଇ’ ପକ୍ଷରୁ ୨୦୧୯ ଫେବୃୟାରୀରେକେବଲ ଟେଲିଭିଜନ ଗ୍ରାହକ ଚାନ୍ଦା ସଂଗ୍ରହ କ୍ଷେତ୍ରରେ ସଂସ୍କାର ଉଦ୍ଦେଶ୍ୟରେ ନିଉ ଟାରିଫଅର୍ଡର‘ଏନଟିଓ’ ଘୋଷିତ ହୋଇଥିଲା । ପୂର୍ବରୁ କେବଲ ଅପରେଟରମାନେ ନିଜ ମନମୁତାବକ ଟେଲିଭିଜନ ଚ୍ୟାନେଲ ପ୍ୟାକେଜମାନ ନିର୍ଦ୍ଧାରଣ କରି ଗ୍ରାହକ ଚାନ୍ଦା ସଂଗ୍ରହ କରୁଥିଲେ । ଏତଦ୍ୱାରା ଦେଶରେ କେବଲକନେକସନରେ ସଂଯୁକ୍ତ ଥିବା ଦଶ କୋଟି ଏବଂ ଡ଼ାଇରେକଟ-ଟୁ-ହୋମ ‘ଡ଼ିଟିଏଚ’ ସୁବିଧା ଉପଭୋଗ କରୁଥିବା ସାତ କୋଟି ଗ୍ରାହକ ପ୍ରଭାବିତ ହେଉଥିଲେ । ନିଜ ରୁଚି ଅନୁଯାଇ ଚ୍ୟାନେଲ ବଦଳରେ ପ୍ୟାକେଜନିର୍ବାଚନ କରିବାକୁ ବାଧ୍ୟ କରାଯାଉଥିଲା । ଅପରପକ୍ଷେ ସ୍ୱଚ୍ଛତା ଅଭାବରୁ ଟେଲିଭିଜନ ଚ୍ୟାନେଲଗୁଡ଼ିକ ନିଜ ଗ୍ରାହକ ସଂଖ୍ୟା ପରଖି ପାରୁନଥିଲେ ତଥା ସ୍ଥଳବିଶେଷରେ ନିର୍ଦ୍ଧାରିତ ଗ୍ରାହକ ଦେୟ ପାଇପାରୁ ନଥିଲେ ।


 

‘ଟ୍ରାଏ’ ଦ୍ୱାରା ‘ଏନଟିଓ’ ଘୋଷିତ ହେବାପରେ କେବଲ ଓ ଡ଼ିଟିଏଚଉପଭୋକ୍ତାଙ୍କ ନିମନ୍ତେ ମାସିକ ସର୍ବନିମ୍ନ ୧୩୦ ଟଙ୍କା ଗ୍ରାହକ ଚାନ୍ଦା ନିର୍ଦ୍ଧାରିତ କରାଗଲା । ଏହି ପ୍ୟାକେଜରେ ସେମାନେ ୧୦୦ ଗୋଟି ବିନାମୂଲ୍ୟରେ ପ୍ରସାରିତ ‘ଫ୍ରି-ଟୁ-ଏୟର’ ଚ୍ୟାନେଲ ଉପଭୋଗ କରିବା ସୁବିଧା ପାଇପାରିଲେ । ସେଥି ମଧ୍ୟରେ ୨୫ ଗୋଟି ଦୂରଦର୍ଶନ ଚ୍ୟାନେଲ ଅନ୍ତର୍ଭୁକ୍ତ କରାଯିବା ବାଧ୍ୟତାମୂଳକ ରଖାଗଲା । ତେଣିକି ଉପଭୋକ୍ତାମାନେ ଯେଉଁସବୁ ଚ୍ୟାନେଲର ଗ୍ରାହକ ଶ୍ରେଣୀଭୁକ୍ତ ହେବାକୁ ଚାହିଁବେ ସେହିକ୍ରମରେ ସଂପୃକ୍ତ ଚ୍ୟାନେଲର ମାସିକ ଗ୍ରାହକ ଚାନ୍ଦା ପଇଠ କରିବେ ।


 

‘ଏନଟିଓ’ର ପ୍ରଭାବରେ ହିନ୍ଦିଭାଷାଭାଷୀ ଗ୍ରାମାଞ୍ଚଳରେ ଜୀ ଅନମୋଲ, ସୋନୀ ପଲ, ଷ୍ଟାର ଭାରତ ଓ କଲର୍ସରିସ୍ତେ ଭଳି କେତେକ ଦେୟଯୁକ୍ତ ଚ୍ୟାନେଲ ଦର୍ଶକ ସଂଖ୍ୟା ହରାଇଥିବା ଜଣାଯାଏ । ବ୍ରଡ଼କାଷ୍ଟଅଡ଼ିଏନ୍ସରିସର୍ଚ୍ଚ କାଉନସିଲ ‘ବିଏଆରସି’ ପକ୍ଷରୁ ୨୦୧୯ ନଭେମ୍ୱରରେ ପ୍ରକାଶିତ ତଥ୍ୟ ଅନୁଯାୟୀ ‘ଦଙ୍ଗଲ ଟିଭି’ ଭଳି ଏକ ଅଳ୍ପ ପରିଚିତ ‘ଫ୍ରି-ଟୁ-ଏୟର’ ଚ୍ୟାନେଲ ହିନ୍ଦିଭାଷାଭାଷୀ ଗ୍ରାମାଞ୍ଚଳରେ ୩୩ ପ୍ରତିଶତ ଦର୍ଶକ ଦାବୀ କରିଛି । ‘ଦଙ୍ଗଲ ଟିଭି’ରେ ପାରମ୍ପରିକ ଭାବେ ପୌରାଣିକ ଓ ସାମାଜିକ ଧାରାବାହିକ ପ୍ରଦର୍ଶିତ ହୋଇଥାଏ । ଏହି ଚ୍ୟାନେଲରେ ସେଭଳି କିଛି ଉଲ୍ଲେଖନୀୟ କାର୍ଯ୍ୟକ୍ରମ ସଂଲଗ୍ନ ହୋଇନଥିଲେ ସୁଦ୍ଧା ଅନ୍ୟ ଲୋକପ୍ରିୟ ଚ୍ୟାନେଲଗୁଡ଼ିକଦେୟଯୁକ୍ତହୋଇପଡ଼ିବା ଅବସରରେ ଅନେକ ଦର୍ଶକ ଦେୟମୁକ୍ତ‘ଦଙ୍ଗଲ ଟିଭି’ରେ ପ୍ରଦର୍ଶିତ ଧାରାବାହିକଗୁଡ଼ିକ ପ୍ରତି ଆକୃଷ୍ଟ ହୋଇଛନ୍ତି ।


 

‘ଟ୍ରାଇ’ ରିପୋର୍ଟ ଅନୁଯାୟୀ ହିନ୍ଦିଭାଷାଭାଷୀ ଗ୍ରାମାଞ୍ଚଳରେ ସର୍ବାଧିକ ଆଦୃତ ପାଞ୍ଚଗୋଟି ବର୍ଗର କାର୍ଯ୍ୟକ୍ରମରେ ‘ଦଙ୍ଗଲ ଟିଭି’ର କାର୍ଯ୍ୟକ୍ରମଗୁଡ଼ିକ ସ୍ଥାନିତ ହେବାପରେ ବିଜ୍ଞାପନ ପ୍ରଦର୍ଶନ ବଢ଼ିଛି । ଏହା ସହିତ ସଂପୃକ୍ତ ଚ୍ୟାନେଲର ବିଜ୍ଞାପନ ଦର ମଧ୍ୟ ବୃଦ୍ଧି ପ୍ରାପ୍ତ ହୋଇଛି । ୨୦୧୯ ବର୍ଷ ଆରମ୍ଭରେ ଦଶ ସେକେଣ୍ଡର ବିଜ୍ଞାପନ ସ୍ପଟ ପିଛା ହଜାରେ ଟଙ୍କା ନିର୍ଦ୍ଧାରିତ ହୋଇଥିବା ସ୍ଥଳେ ତାହା ଅକ୍ଟୋବର-ନଭେମ୍ୱର ମାସରେ ଦଶ ହଜାର ଟଙ୍କାରେ ପହଞ୍ଚିଛି । ପ୍ରାଇମଟାଇମରେ ବିଜ୍ଞାପନ ଦର ଆହୁରି ଅଧିକ ଥିବା ଜଣାଯାଇଛି ।


 

ସାଧାରଣତଃ ହିନ୍ଦିଭାଷାଭାଷୀ ଗ୍ରାମାଞ୍ଚଳରେ ଷ୍ଟାର, ସୋନୀ ଓ ଜୀ ଆଧିପତ୍ୟ ବଜାୟ ରଖି ଆସିଥିଲେ । କିନ୍ତୁ ଗ୍ରାହକ ଚାନ୍ଦାରେ ପୁର୍ନବିନ୍ୟାସ ଅବସରରେ ଫ୍ରି-ଟୁ-ଏୟାର‘ଦଙ୍ଗଲ ଟିଭି’ର ଅକସ୍ମାତ ଲୋକପ୍ରିୟତା ଅନେକଙ୍କୁ ବିସ୍ମିତ କରିଛି । ଗଣମାଧ୍ୟମ ସମୀକ୍ଷକମାନଙ୍କ ମତରେ ‘ଦଙ୍ଗଲ ଟିଭି’ ଯଦି ନିଜ କାର୍ଯ୍ୟକ୍ରମ ପ୍ରଯୋଜନା ଗୁଣବତ୍ତା ବୃଦ୍ଧିରେ ସାମାନ୍ୟ ଉଦ୍ୟମ କରେ ତେବେ ବଡ଼ବଡ଼ଚ୍ୟାନେଲଗୁଡ଼ିକୁ ଦର୍ଶକ ଫେରାଇ ଆଣିବାରେ ନାକେଦମ ହେବାକୁ ପଡ଼ିପାରେ । ଗ୍ରାମାଞ୍ଚଳ ଟେଲିଭିଜନ ଦର୍ଶକଙ୍କ ରୁଚି ମଧ୍ୟରେ ତାରତମ୍ୟ ‘ଦଙ୍ଗଲ ଟିଭି’ ଉଦାହରଣରୁ ସୁସ୍ୱଷ୍ଟ । ହୁଏତ ଏଥିରୁ ବୁଝିନେବାକୁ ହେବ ଯେ ଆଗାମୀ ଭବିଷ୍ୟତରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଦର୍ଶକଙ୍କ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହିତ ଗ୍ରାମାଞ୍ଚଳର ବିଭିନ୍ନ ବର୍ଗର ଦର୍ଶକଙ୍କ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପ୍ରଯୋଜନା କରିବାକୁ ପଡ଼ିବ । ପାରମ୍ପରିକ ଟେଲିଭିଜନ ପ୍ରସାରଣ ଯେଉଁ କ୍ଷେତ୍ରରେ ହାର ମାନିବ ହୁଏତ କ୍ରମବର୍ଦ୍ଧମାନ‘ଓଭର-ଦି-ଟପ’‘ଓଟିଟି’ ମଞ୍ଚ, ୱେବସିରିଜ ଭଳି ପ୍ରଚେଷ୍ଟାରେ ସେହି ଶୂନ୍ୟତା ପୂରଣ କରିବାକୁ ଚେଷ୍ଟା କରିବ ।


 

ଗ୍ରାମାଞ୍ଚଳରେ ଟେଲିଭିଜନ ଦର୍ଶକ ସଂଖ୍ୟା ବୃଦ୍ଧି ଓଡ଼ିଶା କ୍ଷେତ୍ରରେ ଗୁରୁତ୍ୱ ବହନ କରେ । ୨୦୧୧ ଜନଗଣନା ଅନୁଯାୟୀ ଏଠାକାର ୮୪ ପ୍ରତିଶତ ପରିବାର ପାଞ୍ଚ ହଜାରରୁ କମ ଜନସଂଖ୍ୟା ବିଶିଷ୍ଟ ଗ୍ରାମାଞ୍ଚଳରେ ବସବାସ କରନ୍ତି । ରାଜ୍ୟରେ ପ୍ରତି ବାସଗୃହକୁ ବିଦ୍ୟୁତ ସଂଯୋଗ ଓ ପାରିବାରିକ ଆର୍ଥିକ ଅଭିବୃଦ୍ଧି ହେତୁ ବାସଗୃହରେ ଟେଲିଭିଜନ ତଥା ସ୍ମାର୍ଟଫୋନ ବ୍ୟବହାର ସଂଖ୍ୟା ବୃଦ୍ଧି ପାଇବ । ଏହି ଅବସରରେ ଗ୍ରାମାଞ୍ଚଳରେ ବିଭିନ୍ନ ବର୍ଗର ଦର୍ଶକ ‘ସେଗିମେଣ୍ଟେଡ଼ଅଡିଏନ୍ସ’କୁ ଆକୃଷ୍ଟ କରିବା ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତି ଏକ ଆହ୍ୱାନରେ ପରିଣତ ହୋଇଛି । ନିତ୍ୟବ୍ୟବହାର୍ଯ୍ୟ ଓ ମନୋହରୀ ଦ୍ରବ୍ୟର ବିକ୍ରୀବଟା ଗ୍ରାମାଞ୍ଚଳମୁଖୀ ହେଉଥିବା ଅବସରରେ ଟେଲିଭିଜନ ବିଜ୍ଞାପନ ବ୍ୟୟ ବୃଦ୍ଧି ପାଇବା ସୁନିଶ୍ଚିତ । ତେବେ ତାହା କାହା ଭାଗରେ ପଡ଼ିବ ପ୍ରଶ୍ନବାଚୀ । ‘ଏଣ୍ଟର-ଟେନ’ ଟେଲିଭିଜନ ନେଟୱାର୍କର ‘ଦଙ୍ଗଲ ଟିଭି’ ଭଳି ଫ୍ରି-ଟୁ-ଏୟାର ଏକକ ଟେଲିଭିଜନ ସଂସ୍ଥାଗୁଡ଼ିକ ନିଜ କାର୍ଯ୍ୟକ୍ରମ ପ୍ରଯୋଜନାରେ ସର୍ଜନଶୀଳ ହୋଇପାରିଲେ ଦର୍ଶକ ସଂଖ୍ୟା ଓ ବିଜ୍ଞାପନ ଆୟ ବୃଦ୍ଧିରେ ପର୍ଯ୍ୟବସିତ ହେବା ଆଶା କରାଯାଇପାରେ ।     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ନଭେମ୍ୱର ୨୦୧୯


ତଥ୍ୟ :


 

Pinto, Viveat Susan. What makes Dangal TV tick. Business Standard (Bhubaneswar Edition) November 11, 2019


 

‘20% revenues would be form digital in 5 yrs’. Business Standard (Bhubaneswar Edition) November 13, 201


ସମ୍ୱାଦ-ଭିତ୍ତିକ ଟେଲିଭିଜନ

ଭାରତରେ ସମ୍ୱାଦ-ଭିତ୍ତିକ ଟେଲିଭିଜନର ଲୋକାଦୃତି ୨୦୧୮ ରୁ ୨୦୨୧ ଚାରିବର୍ଷ ମଧ୍ୟରେ ପ୍ରାୟତଃ ଅକ୍ଷୁର୍ଣ୍ଣ ରହିଥିବା ସର୍ବେକ୍ଷଣ ପ୍ରାପ୍ତ ତଥ୍ୟ ପ୍ରମାଣିତ କରିଥାଏ । ‘ଲୋଡ଼ଷ୍ଟାର ୟୁନିଭର୍ସାଲ’ର ଗବେଷଣା ଅନୁଯାୟୀ ସମୁଦାୟ ଟେଲିଭିଜନ ପ୍ରଦର୍ଶନରେ ୨୦୧୮ରେ ୭ ପ୍ରତିଶତ, ୨୦୧୯ରେ ୯ ପ୍ରତିଶତ ଓ ୨୦୨୦ରେ ୧୦ ପ୍ରତିଶତ ସମୟ ସମ୍ୱାଦ ଦେଖାରେ ବିନିଯୋଗ ହୋଇଥିବା ସ୍ଥଳେ ୨୦୨୧ରେ ପୂର୍ବବର୍ଷରୁ ଦୁଇ ପ୍ରତିଶତ ହ୍ରାସ ପାଇ ୮ ପ୍ରତିଶତ ରହିଥିଲା । ମହାମାରୀ ପୂର୍ବାବସ୍ଥାରେ ଟେଲିଭିଜନ ସମ୍ୱାଦ ଆହରଣ ସମୟ ସାତ ପ୍ରତିଶତ ରହିଥିବା ବେଳେ ମହାମାରୀ-ପର ଅବସ୍ଥାରେ ଆଠ ପ୍ରତିଶତରେ ପହଞ୍ଚିଥିଲା । ମହାମାରୀ କାଳରେ ସାମାନ୍ୟ ବୃଦ୍ଧି ପାଇ ଦୁଇ ବର୍ଷ ନଅ ଓ ଦଶ ପ୍ରତିଶତ ହିସାବ କରାଯାଇଥିଲା ।

 

ଆମ ଦେଶରେ ‘ବ୍ରଡ଼କାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ ଅଫ ଇଣ୍ଡିଆ’ ପକ୍ଷରୁ ଟେଲିଭିଜନ ଦର୍ଶକ ଗଣନା ବିଶ୍ୱସନୀୟ ତଥ୍ୟ ରୂପେ ଗୃହୀତ ହୋଇ ଆସିଥିଲା । କିନ୍ତୁ ୨୦୨୧ରୁ ‘ବ୍ରାକ’ ପକ୍ଷରୁ ଦର୍ଶକ ଗଣନା ତଥ୍ୟ ଗଣମାଧ୍ୟମରେ ପ୍ରକାଶନ ବନ୍ଦ କରିଦେବା ହେତୁ ବିକଳ୍ପ ସଂସ୍ଥାର ତଥ୍ୟକୁ ଗୁରୁତ୍ୱ ଦିଆଯାଉଛି । ‘ଲୋଡ଼ଷ୍ଟାର ୟୁନିଭର୍ସାଲ’ ପକ୍ଷରୁ ୨୦୨୧ର ଟେଲିଭିଜନ ଦର୍ଶକ ଗଣନା ବିବରଣୀ ୨୦୨୨ ମଧ୍ୟଭାଗ ଜୁଲାଇ ମାସରେ ପ୍ରକାଶିତ ହୋଇଥିଲା ।

 

ଭାରତରେ ୮୮ କୋଟି ଟେଲିଭିଜନ ଦର୍ଶକ ହିସାବ କରାଯାଏ । ଇଂଲିଶ ସହ ବିଭିନ୍ନ ଭାରତୀୟ ଭାଷାରେ ପ୍ରାୟ ୪୦୦ ସମ୍ୱାଦ-ଭିତ୍ତିକ ଟେଲିଭିଜନ ଚ୍ୟାନେଲ କାର୍ଯ୍ୟକ୍ରମ ପ୍ରସାରଣ କରନ୍ତି । ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ସର୍ବାଧିକ ୪୭ ପ୍ରତିଶତ ହିନ୍ଦି କାର୍ଯ୍ୟକ୍ରମ ଦର୍ଶକ ଏବଂ ତା’ପରକୁ ତେଲୁଗୁ ଓ ତାମିଲରେ ପ୍ରତ୍ୟେକ ୧୪ ପ୍ରତିଶତ ଦର୍ଶକ ଅନ୍ତର୍ଭୁକ୍ତ । କନ୍ନଡ଼ରେ ୭ ପ୍ରତିଶତ ଏବଂ ମାଳାୟଳମରେ ୩ ପ୍ରତିଶତ ଦର୍ଶକ । ଓଡ଼ିଆ ସମେତ ଅନ୍ୟାନ୍ୟ ଭାରତୀୟ ଭାଷାରେ ଦର୍ଶକ ସଂଖ୍ୟା ମାତ୍ର ପନ୍ଦର ପ୍ରତିଶତରେ ସୀମିତ ।

 

ଭାରତୀୟ ଟେଲିଭିଜନ ଦର୍ଶକମାନେ ମୁଖ୍ୟତଃ ମନୋରଞ୍ଜନଧର୍ମୀ ଚ୍ୟାନେଲଗୁଡ଼ିକ ପସନ୍ଦ କରିଥାନ୍ତି । ଏହା କ୍ରମାଗତ ବଢ଼ିବାରେ ଲାଗିଛି । ‘ଲୋଡ଼ଷ୍ଟାର ୟୁନିଭରସାଲ’ ବିବରଣୀ ଅନୁଯାୟୀ ମହାମାରୀ-ପୂର୍ବ ୨୦୧୮ରେ ମନୋରଞ୍ଜନ ବର୍ଗରେ ୫୨ ପ୍ରତିଶତ ସମୟ ଅତିବାହିତ ହୋଇଥିବା ସ୍ଥଳେ ମହାମାରୀ-ପରେ ୨୦୨୧ରେ ୫୪ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଅନ୍ୟପକ୍ଷରେ ଚଳଚ଼ିତ୍ର ଚ୍ୟାନେଲଗୁଡ଼ିକର ଲୋକପ୍ରିୟତା ପ୍ରାୟତଃ ସମାନ ରହିଥିଲା । ୨୦୧୮, ୨୦୧୯ ଓ ୨୦୨୦ରେ ଭାରତୀୟ ଦର୍ଶକ୨୪ ପ୍ରତିଶତ ସମୟ ଟେଲିଭିଜନରେ ସିନେମା ଦେଖାରେ ବିନିଯୋଗ କରୁଥିବା ସ୍ଥଳେ ୨୦୨୧ରେ ୨୩ ପ୍ରତିଶତରେ ସ୍ଥିର ରହିଥିଲା । ମୋଟ ଉପରେ ଭାରତୀୟ ଟେଲିଭିଜନ ଦର୍ଶକମାନେ ମନୋରଞ୍ଜନ ଓ ସିନେମା ପରକୁ ସମ୍ୱାଦ-ଭିତ୍ତିକ କାର୍ଯ୍ୟକ୍ରମ ଦେଖିଥାନ୍ତି ।

 

ଭାରତୀୟ ସମ୍ୱାଦ-ଭିତ୍ତିକ ଟେଲିଭିଜନ ଗୁଣବତ୍ତା, ପକ୍ଷପାକ୍ଷିକତା ଓ ସ୍ୱାବଲମ୍ୱୀ ବ୍ୟାବସାୟିକ ଧାରା ଅଭାବକୁ ନେଇ ସମାଲୋଚ଼ିତ ହୋଇଥାଏ । ପ୍ରଥମତଃ, ୨୦୨୨ ସୁଦ୍ଧା ଉପଲବ୍ଧ ୪୦୦ ସମ୍ୱାଦ-ଭିତ୍ତିକ ଟେଲିଭିଜନ ଚ୍ୟାନେଲ ମଧ୍ୟରୁ ଅର୍ଦ୍ଧେକର ମାଲିକାନା ସାମ୍ୱାଦିକତା ଭିନ୍ନ ଅନ୍ୟକାରଣରୁ ଆର୍ଥିକ ନିବେଶରେ ପରିଚାଳିତ ହେଉଥିବା ବିଶେଷଜ୍ଞମାନେ ଅଭିଯୋଗ କରିଥାନ୍ତି । ମୁଖ୍ୟତଃ ରାଜନୀତିକ ପକ୍ଷପାକ୍ଷିକତା ଓ ସମାଜରେ ପତିଆରା ବୃଦ୍ଧି ଉଦ୍ଦେଶ୍ୟରେ ପରିଚାଳିତ ସମ୍ୱାଦ-ଭିତ୍ତିକ ଟେଲିଭିଜନରେ ସାମ୍ୱାଦିକତାର ଗୁଣାତ୍ମକ ବିକାଶ ନିମନ୍ତେ ଦୃଷ୍ଟି ଦିଆଯାଏନାହିଁ । ଏପରିକି ଚ଼୍ୟାନେଲଗୁଡ଼ିକର ବ୍ୟାବସାୟିକ ଉନ୍ନତି ନିମନ୍ତେ ମଧ୍ୟ ନିବେଶକ ଆଗ୍ରହ ପ୍ରକାଶ କରନ୍ତି ନାହିଁ ।

 

ଏହିଭଳି ଚ୍ୟାନେଲଗୁଡ଼ିକରେ ନିଯୁକ୍ତ ସମ୍ପାଦକ ଓ ସାମ୍ୱାଦିକମାନଙ୍କୁ ସମ୍ୱାଦ ପ୍ରଯୋଜନା ଦିଗରେ ମାଲିକାନାର ନିର୍ଦ୍ଦେଶ ମାନି ଚ଼ଳିବାକୁ ପଡ଼ିଥାଏ ଏବଂ ନିବେଶ ଅଭାବରୁ ସର୍ଜନଶୀଳତା ମାଡ଼ ଖାଇଥାଏ । କୌଣସି ଦପ୍ତରରେ କିରାଣୀ ଭଳି ଟେଲିଭିଜନ ସାମ୍ୱାଦିକମାନେ ପରାଧୀନ, ଆଗ୍ରହହୀନ ଓ ଅସହାୟ ପରିବେଶରେ ପେଷି ହୋଇଯାଆନ୍ତି । ପାରିବାରିକ ଗୁଜୁରାଣ ମେଣ୍ଟାଇବା ଲାଗି ଦରମା ଖଣ୍ଡିକ ବଞ୍ଚାଇବାକୁ ଯାଇ ସୃଜନର ପରିଧିରୁ ଦୂରେଇ ଯିବା ଦେହସୁଆ ହୋଇଯାଏ । ଫଳରେ ସାମଗ୍ରିକ ଭାବେ ଟେଲିଭିଜନ ସାମ୍ୱାଦିକତା ଅବକ୍ଷୟମୁଖୀ ହୁଏ ।

 

ଏହି ପରିବେଶରୁ ମୁକ୍ତିଲାଗି ସ୍ୱାଧୀନ, ସର୍ଜନଶୀଳ ଓ ସାବଲମ୍ୱୀ ଟେଲିଭିଜନ ସମ୍ୱାଦ ମଞ୍ଚ ଆବଶ୍ୟକ । ଏଦିଗରେ ଯେ ଉଦ୍ୟମ ହେଉନାହିଁ ତାହା ନୁହ । ତେବେ ବିଭିନ୍ନ କାରଣରୁ ଉଦ୍ୟମ ସଫଳତା ହାସଲ କରିପାରୁ ନାହିଁ । ସ୍ୱାଧୀନ ସମ୍ୱାଦ ମଞ୍ଚ ନିର୍ମାଣ ସକାଶେ ପୁଞ୍ଜିପତିଙ୍କ ବଦଳରେ ସାଧାରଣ ନିବେଶକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । କାରଣ ପୁଞ୍ଜିପତି ଏକପକ୍ଷରେ ନିଜ ବ୍ୟାବସାୟିକ ସ୍ୱାର୍ଥକୁ ଜଗିବସିବା ସ୍ୱାଭାବିକ ଏବଂ ଅପରପକ୍ଷରେ ସରକାର ଧନୀକଙ୍କ ଅନ୍ୟ ସମ୍ପତ୍ତି କବଜା କରିବା ଭୟ ଦେଖାଇ ଅଧୀନତା ସ୍ୱୀକାର କରିବା ନିମନ୍ତେ ବାଧ୍ୟବାଧକତା ସୃଷ୍ଟି କରିବା ସଂଭବ ।

 

ଅନ୍ୟ ଏକ ଦିଗ ହେଲା ସୃଜନ ପରିଧି । ବିଶେଷଜ୍ଞଙ୍କ ମତରେ ୨୦୨୨ ସୁଦ୍ଧା ଯେକୌଣସି ସମ୍ୱାଦ ମଞ୍ଚର ବ୍ୟାବସାୟିକ ମଡ଼େଲ ଲାଭଦାୟକ ଅବସ୍ଥାରେ ପହଞ୍ଚିବା ନିମନ୍ତେ ଚାରିରୁ ଛଅ ବର୍ଷ ଆବଶ୍ୟକ । ଏହି ସମୟ ସୀମାରେ ଆର୍ଥିକ ନିବେଶ ସାଙ୍ଗକୁ ସୃଜନ ନିବେଶ ଅପରିହାର୍ଯ୍ୟ । ଦୁଇ ତିନି ଡ଼ଜନ ସୃଜନ କର୍ମୀ ଯଦି ଏକାଠି ପାଞ୍ଚ ବର୍ଷ କାମ କରିବା ନିମନ୍ତେ ବଦ୍ଧପରିକର ନ ହୋଇପାରିବେ ତେବେ ଓଡ଼ିଆ ଭଳି ଆଞ୍ଚଳିକ ଭାଷାରେ ସ୍ୱାଧୀନ ସମ୍ୱାଦ-ଭିତ୍ତିକ ଟେଲିଭିଜନ ଚ୍ୟାନେଲଟିଏ ବଞ୍ଚାଇ ରଖିବା ଅସଂଭବ । ପୁଣି ସୃଜନ ଓ ନିବେଶ ଉଭୟ ପରିପୂରକ । ସ୍ୱାର୍ଥାନ୍ଧ ନିବେଶକଙ୍କ ବଦଳରେ ଯଦି ସାଧାରଣ ନାଗରିକଙ୍କଠାରୁ ପାଣ୍ଠି ସଂଗ୍ରହ କରାଯିବ ତେବେ ଗୁଣାତ୍ମକ ସାମ୍ୱାଦିକତା ପ୍ରସ୍ପୁଟିତ ହେବା ଆବଶ୍ୟକ । ସାମ୍ୱାଦିକତାର ପରାକାଷ୍ଠାହିଁ ସାମ୍ୱାଦିକ ଓ ଦର୍ଶକ ଉଭୟଙ୍କୁ ଯୋଡ଼ି ରଖିପାରିବ ।

 

ଭାରତୀୟ ଗଣମାଧ୍ୟମରେ ସୃଷ୍ଟି ହୋଇଥିବା ଏହି ସମସ୍ୟା ଆନ୍ତର୍ଜାତିକସ୍ତରରେ ମଧ୍ୟ ସମଭାବେ ପ୍ରତିବିମ୍ୱିତ । ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱାଧୀନ ସାମ୍ୱାଦିକତା ମଞ୍ଚ ବିକାଶ ନିମନ୍ତେ ‘ନନ-ପ୍ରଫିଟ ନିଉଜ’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଛି । ୨୦୨୨ ସୁଦ୍ଧା ସମ୍ୱାଦ-ଭିତ୍ତିକ ଟେଲିଭିଜନ ଚ୍ୟାନେଲ ସହ ପ୍ରାୟ ଦେଢ଼ଶହ ସମ୍ୱାଦ ମଞ୍ଚ ସାମ୍ୱାଦିକତାକୁ ସ୍ୱାଧୀନ, ସୃଜନାଭିମୁଖୀ, ଉପଭୋକ୍ତାଭିମୁଖୀ ଉଦ୍ୟମରେ ମନୋନିବେଶ କରୁଛନ୍ତି । ସେମାନଙ୍କ ଅଭିଜ୍ଞତା ଭାରତୀୟ ସମ୍ୱାଦ-ମଞ୍ଚଗୁଡ଼ିକ ପରିଚାଳନା ନିମନ୍ତେ ଉପଯୋଗୀ ବିଚାର କରାଯାଇପାରେ । ଭାରତରେ ୪୦୦ ସମ୍ୱାଦ-ଭିତ୍ତିକ ଟେଲିଭିଜନ ଚ୍ୟାନେଲ ମଧ୍ୟରୁ ମାତ୍ର ଦୁଇ-ତିନି ଗୋଟି ଚ୍ୟାନେଲ ଲାଭଜନକ ସ୍ଥିତିରେ ରହିଥିବା ସ୍ଥଳେ ସାବଲମ୍ୱୀ ସମ୍ୱାଦ-ମଞ୍ଚଟିଏ ଗଠନ କରିବା ଯେ ଅତ୍ୟନ୍ତ କଷ୍ଟସାଧ୍ୟ ଏଥିରେ ଦ୍ୱିମତ ହେବାର ଅବକାଶ ନଥାଏ ।

 

ପାରମ୍ପରିକଭାବେ ବିଗତ ଦୁଇ ଶହ ବର୍ଷ ଧରି ବିଜ୍ଞାପନ-ଆଶ୍ରିତ ମଡ଼େଲରେ ଗଣମାଧ୍ୟମ ମଞ୍ଚଗୁଡିକ ବିକଶିତ ହୋଇ ଆସିଥିଲା । ମହାମାରୀ-ପୂର୍ବ ଅବସ୍ଥାରୁ ଏହି ମଡ଼େଲ ଭୁଷଡ଼ିବା ଆରମ୍ଭ କରିଥିବା ସ୍ଥଳେ ମହାମାରୀ-ପର ଅବସ୍ଥାରେ ଅକାମୀ ହୋଇପଡ଼ିବା ସମସ୍ତେ ଉପଲବ୍ଧ କଲେଣି । ନବୀନତମ ଡ଼ିଜିଟାଲ ସମ୍ୱାଦ ମଞ୍ଚର ଅବସ୍ଥା ବି ସେୟା । ଭାରତରେ ୨୦୨୧ରେ ୩୦ ହଜାର କୋଟି ଟଙ୍କା ଡ଼ିଜିଟାଲ ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଥିବା ସ୍ଥଳେ ଅର୍ଦ୍ଧେକ ଗୁଗୁଲ ଓ ଏକ ତୃତୀୟାଂଶ ମେଟା ବା ଫେସବୁକ ଅକ୍ତିଆର କରିନେଇଥିଲେ । ସମ୍ୱାଦ ସମେତ ଅନ୍ୟ ସମସ୍ତ ଡ଼ିଜିଟାଲ ମଞ୍ଚ ଭାଗରେ ମାତ୍ର ପାଞ୍ଚ ହଜାର କୋଟି ଟଙ୍କା ପଡ଼ିଥିଲା । ଏହି ପରିପ୍ରେକ୍ଷୀରେ ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟରୁ ଗୋଟିଏ ବଡ଼ ଭାଗ ପ୍ରଚାରଧର୍ମୀ ସାମ୍ୱାଦିକତାରେ ସମର୍ପିତ ହେବା ବେଳେ ଅନ୍ୟଏକ ଛୋଟ ଭାଗ ପାଠକ, ଶ୍ରୋତା ଓ ଦର୍ଶକଙ୍କ ଅନୁଦାନ ଓ ଗ୍ରାହକ ଚାନ୍ଦାରେ ସ୍ୱାବଲମ୍ୱୀ ସ୍ୱାଧୀନ ସାମ୍ୱାଦିକତାରେ ବ୍ରତୀ ରହିବେ । ସାମ୍ୱାଦିକମାନେ କିଏ କେଉଁ ଗୋଷ୍ଠୀଭୁକ୍ତ ହେବେ, ସେହି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବା ସମୟ ଉପନୀତ ବୋଲି କହିବାକୁ ହେବ ।      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଅକ୍ଟୋବର ୨୦୨୨


ତଥ୍ୟ :

 

Kohli-Khandekar, Vanita. Picture is clear : TV’s not dead. Business Standard (Bhuabaneswar Edition). August 01, 2022

 

Kohli-Khandekar. The future of news media. Business Standard (Bhuabaneswar Edition). September 16, 2022

ଟେଲିଭିଜନ ବନାମ ଭିଡ଼ିଓ

୨୦୧୭ ସୁଦ୍ଧା ଭାରତୀୟ ଗଣମାଧ୍ୟମ ମଞ୍ଚରେ ଟେଲିଭିଜନ ପ୍ରସାରଣର ଗୁରୁତ୍ୱ ବଳବତ୍ତର ରହିଛି । ଗଣମାଧ୍ୟମ ସମୀକ୍ଷକ ବନିତା କୋହଲି-ଖାଣ୍ଡେକରଙ୍କ ହିସାବ ଅନୁଯାୟୀ ଦେଶର ଟେଲିଭିଜନ ଶିଳ୍ପରେ ବାର୍ଷିକ ୫୪,୮୩୦ କୋଟି ଟଙ୍କାର କାରବାର ହୋଇଥାଏ । ଏଠାରେ ୮୭ କୋଟି ୫୦ ଲକ୍ଷ ଜନସାଧାରଣ ଦୈନିକ ତିନି ଘଣ୍ଟା ଟେଲିଭିଜନ କାର୍ଯ୍ୟକ୍ରମ ଦେଖିଥାନ୍ତି ।


 

ଅବଶ୍ୟ ୨୦୧୫ ତୁଳନାରେ ୨୦୧୬ରେ ଟେଲିଭିଜନ ଶିଳ୍ପରେ ଅଭିବୃଦ୍ଧି ଓ ରାଜସ୍ୱ ଅପେକ୍ଷାକୃତ ଭାବେ କମିଥିଲା ।‘ଫେଡ଼େରସନ ଅଫ ଇଣ୍ଡିଆନ ଚ଼େମ୍ୱରର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀ’ ଆନୁକୂଲ୍ୟରେ ପ୍ରକାଶିତ ‘ମିଡ଼ିଆ ଏଣ୍ଡ ଏଣ୍ଟରଟେନମେଣ୍ଟ ରିପୋର୍ଟ ୨୦୧୭’ ଅନୁଯାୟୀ ଟେଲିଭିଜନ ଶିଳ୍ପରେ ବାର୍ଷିକ ଅଭିବୃଦ୍ଧି ହାର ୨୦୧୫ ରେ ୧୪.୨ ପ୍ରତିଶତ ଥିବାବେଳେ ୨୦୧୬ରେ ୮.୫ ପ୍ରତିଶତକୁ ହ୍ରାସ ପାଇଥିଲା । ସେହିପରି ଟେଲିଭିଜନ ବିଜ୍ଞାପନ ଆୟ ପୂର୍ବବର୍ଷ ୧୭ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ତାହା ୨୦୧୬ରେ ୧୧ ପ୍ରତିଶତରେ ସୀମିତ ରହିଥିଲା ।


 

୨୦୧୬ରେ ଟେଲିଭିଜନ ଶିଳ୍ପରେ ରାଜସ୍ୱ ହାନୀ ଓ ତଦ୍ଜନିତ ଅଭିବୃଦ୍ଧିହାରରେ ଶୀଥିଳତା ଲାଗି ବ୍ୟବସାୟିକ କ୍ଷେତ୍ରରେ ମାନ୍ଦାବସ୍ଥାକୁ ଦାୟୀ କରାଯାଇଥାଏ । ଦେଶରେ ଆର୍ଥିକ ସଂସ୍କାର, ଯଥା: ବିମୁଦ୍ରାୟନ ଓ ଜିଏସଟି ପ୍ରବର୍ତ୍ତନ କାରଣରୁ ବ୍ୟବସାୟିକ କାରବାର ପ୍ରଭାବିତ ହୋଇଥିଲା । ଭାରତୀୟ ଟେଲିଭିଜନ ‘ବିଜ୍ଞାପନ ରାଜସ୍ୱ ମଡ଼େଲ’ ଉପରେ ନିର୍ଭରଶୀଳ ଥିବା ହେତୁ ଜାତୀୟ ବ୍ୟବସାୟିକ ଗତିବିଧି ତାହାର ଅଭିବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ ।


 

୨୦୧୫ରୁ କ୍ରମାଗତଭାବେ ଆମ ଦେଶରେ ଭିଡ଼ିଓ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ଧାରା ପାରମ୍ପରିକ ଟେଲିଭିଜନର ପରିପନ୍ଥୀ ବୋଲି କୁହାଯାଇଥାଏ । ତେବେ ୨୦୧୭ ସୁଦ୍ଧା ଭିଡ଼ିଓ ଶିଳ୍ପର ବ୍ୟବସାୟ ମାତ୍ର ଦୁଇ ହଜାର କୋଟି ଟଙ୍କାରେ ସୀମିତ । ଅର୍ଥାତ ଟେଲିଭିଜନ ବ୍ୟବସାୟର ତିରିଶିଭାଗରୁ ଭାଗେ । ଦେଶରେ ପ୍ରାୟ ୪୩ କୋଟି ୧୦ ଲକ୍ଷ ଇଣ୍ଟରନେଟ ସଂଯୁକ୍ତି ଓ ୩୦ କୋଟି ଭିଡ଼ିଓ ଉପଭୋକ୍ତା ହିସାବ କରାଯାଉଥିବାସ୍ଥଳେ ଅଧିକାଂଶ ମୋବାଇଲ ଫୋନ ଯୋଗେ ଟେଲିଭିଜନ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରସାରଣ ପରବର୍ତ୍ତୀ ବା ‘କେଚ-ଅପ’ ମୋଡ଼ରେ ଭିଡ଼ିଓ ଆକାରରେ ଦେଖୁଥିବା ଲକ୍ଷ୍ୟ କରାଯାଇପାରେ ।ଏଣୁ ଭିଡ଼ିଓ ଟେଲିଭିଜନ ଆଶ୍ରିତ ବୋଲି କୁହାଯାଇପାରେ ।


 

ଭାରତରେ ଇଣ୍ଟରନେଟ ସଂଯୁକ୍ତି ବଢୁଥିବା ତଥା ଜନସାଧାରଣ ମୋବାଇଲ ଫୋନ ଯୋଗେ ଟେଲିଭିଜନ ଓ ଭିଡ଼ିଓ ଉପଭୋକ୍ତା ସାଜୁଥିବା ଅବସରରେ ନିକଟ ଭବିଷ୍ୟତରେ ଏକ ନୂତନ ସମୀକରଣର ପୂର୍ବାନୁମାନ କରାଯାଇପାରେ । ତେବେ ୨୦୧୭ ସୁଦ୍ଧା ସ୍ୱାଧୀନ ଭିଡ଼ିଓର ପ୍ରସାର ଗୁରୁତ୍ୱ ହାସଲ କରିପାରି ନାହିଁ ।


 

ଦେଶରେ ପ୍ରାୟ ୩୦ ଗୋଟି ଭିଡ଼ିଓ ମୋବାଇଲ ଆପ୍ଳିକେସନ ବ୍ୟବହୃତ ହେଉଛି । ସେଥି ମଧ୍ୟରେ ୟୁ-ଟ୍ୟୁବ ଓ ଷ୍ଟାର ଇଣ୍ଡିଆର ହଟଷ୍ଟାର ପଛକୁ ଆଲଟ ବାଲାଜୀ, ଭୁତ, ଭିଉ ଇତ୍ୟାଦିର ସ୍ଥାନ। ବୈଦେଶିକ ଆମେଜନ ପ୍ରାଇମ ଓ ନେଟଫ୍ଳେକ୍ସ ମଧ୍ୟ ପ୍ରସାରଣ ଆରମ୍ଭ କରିଛନ୍ତି । ୟୁ-ଟ୍ୟୁବରେ ସ୍ୱାଧୀନ ଭିଡ଼ିଓ ପର୍ଯ୍ୟାୟରେ ହାସ୍ୟ, ରନ୍ଧଣା, ଇଲକ୍ଟ୍ରୋନିକ୍ସ ଗେଜେଟସ ଓ ପ୍ରେରଣାଦାୟୀ ଅଭିଭାଷଣ ଲୋକପ୍ରିୟ ହୋଇଥାଏ । ହାସ୍ୟ ଭିଡ଼ିଓ ପରିବେଷଣକାରୀ ବିବିକୀ-ଭାଇନସ ମଞ୍ଚରେ ୫୦ ଲକ୍ଷ ଗ୍ରାହକ ତାଲିକାଭୁକ୍ତ ହୋଇଥିବା ସ୍ଥଳେ ଇଲକ୍ଟ୍ରୋନିକ୍ସ ଗେଜେଟ ସମୀକ୍ଷକ ପ୍ରବାଳ ଶର୍ମାଙ୍କ ମଞ୍ଚରେ ୩୦ ଲକ୍ଷ ୯୦ ହଜାର ଗ୍ରାହକ ତାଲିକାଭୁକ୍ତ ହୋଇଥିବା ଜଣାଯାଏ । ୟୁ-ଟ୍ୟୁବରେ ଭାରତରେ ଏହି ଦୁଇଗୋଟି ମଞ୍ଚ ଗ୍ରାହକ ଦୃଷ୍ଟିରୁ ଶୀର୍ଷସ୍ଥାନ ଅଧିକାର କରିଥାଏ ।


 

ଆନ୍ତର୍ଜାତିକସ୍ତରରେ ସମକାଳରେ ଭିଡ଼ିଓ ପ୍ରଦର୍ଶନ ମୋବାଇଲ ଫୋନ ପର୍ଦ୍ଦାକୁ ସ୍ଥାନାନ୍ତରିତ ହେବା ପରେ ଆମ ଦେଶରେ ମଧ୍ୟ ସେହି ଧାରା ପ୍ରତିବିମ୍ୱିତ ହୋଇଛି । ୨୦୧୬ ମଧ୍ୟଭାଗରୁ ଆରମ୍ଭ ହୋଇଥିବା ରିଲାଏନ୍ସ ଜିଓର ୪ଜି ପ୍ରସାରଣ ୨୦୧୭ରେ ୧୦ କୋଟି ଗ୍ରାହକ ସୃଷ୍ଟି କରିବାରେ ସମର୍ଥ ହୋଇପାରିଥିଲା । ଦେଶରେ ଭିଡ଼ିଓ ଉପଭୋକ୍ତା ବୃଦ୍ଧିରେ ଏହା ସହାୟକ ହୋଇଥିଲା । ସମୀକ୍ଷକମାନେ ଅନୁମାନ କରୁଥିଲେ ଯେ ମାଗଣା ୪ଜି ପ୍ରସାରଣ ବନ୍ଦ ହୋଇଯିବା ପରେ ଗ୍ରାହକଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇବ । ତେବେ ରିହାତି ଦେୟ ସହିତ ଦୈନିକ ୧ ଜିବି ଡ଼ାଟା ବ୍ୟବହାର ପ୍ରବର୍ତ୍ତନପରେ ମଧ୍ୟ ରିଲାଏନ୍ସ ଜିଓର ବ୍ୟବସାୟ ସୁଦୃଢ଼ ରହିପାରିଛି । ଏହାର ଉଦ୍ୟମରେ ଦେଶରେ ୧୦ କୋଟି ଭିଡ଼ିଓ ଗ୍ରାହକ ସୃଷ୍ଟି ସଙ୍ଗେ ସମପରିମାଣରେ ସ୍ମାର୍ଟଫୋନ ବିକ୍ରି ଓ ଭିଡ଼ିଓ ଦର୍ଶକ ସଂଖ୍ୟା ବୃଦ୍ଧିରେ ସହାୟକ ହୋଇପାରିଥିଲା । ଅପରପକ୍ଷେ ରିଲାଏନ୍ସ ଜିଓର ବ୍ୟବସାୟିକ ମଡ଼େଲର ମୁକାବିଲା କରିବା ନିମନ୍ତେ ଅନ୍ୟାନ୍ୟ ଟେଲିକମ ଅପରେଟରମାନେ ମଧ୍ୟ ରିହାତି ମୂଲ୍ୟରେ ଡ଼ାଟା ବ୍ୟବହାର ଓ ୪ଜି ପ୍ରସାରଣ ସେବା ଆରମ୍ଭ କରିବାରୁ ଦେଶରେ ଭିଡ଼ିଓ ପ୍ରଦର୍ଶନ କ୍ଷେତ୍ରରେ ବିକାଶର ପଥ ଉନ୍ମୁକ୍ତ କରିଥିଲା ।


 

ଆମ ଦେଶରେ ୨୦୧୭ ସୁଦ୍ଧା ୧୧ କୋଟି ୫୦ ଲକ୍ଷରୁ ୧୨ କୋଟି ସ୍ମାର୍ଟଫୋନ ବ୍ୟବହୃତ ହେଉଥିବା ହିସାବ କରାଯାଏ । ସ୍ମାର୍ଟଫୋନ ଉପଭୋକ୍ତା ବର୍ଗରେ ଭିଡ଼ିଓ ଷ୍ଟ୍ରୀମିଂ କ୍ରମଶଃ ଲୋକପ୍ରିୟତା ହାସଲ କରୁଥିବା ଜଣାଯାଏ । ମୂଲ୍ୟ ଦେଇ ଗ୍ରାହକ ଶ୍ରେଣୀଭୁକ୍ତ ହୋଇ ଭିଡ଼ିଓ ଦେଖିବାକୁ ଭିଡ଼ିଓ ଷ୍ଟ୍ରୀମିଂ କୁହାଯାଏ । ଏହାକୁ ଭିଡ଼ିଓ-ଅନ-ଡ଼ିମାଣ୍ଡ କିମ୍ୱା ଓଭର-ଦି-ଟପ ମଧ୍ୟ ନାମିତ କରାଯାଇଥାଏ ।


 

୨୦୧୬ରେ ଆରମ୍ଭ ହୋଇଥିବା ଭିଡ଼ିଓ ଷ୍ଟ୍ରୀମିଂ ବ୍ୟବସାୟ ୨୦୧୭ରେ ନିଜ ସ୍ଥିତିକୁ ସାଧ୍ୟମତେ ସୁଦୃଢ଼ କରିପାରିଛି । ଭାରତଭଳି ବଜାରରେ ମୂଲ୍ୟଯୁକ୍ତ ଭିଡ଼ିଓ ଷ୍ଟ୍ରୀମିଂ ସଫଳତା ନେଇ ସନ୍ଦେହ ଘନୀଭୂତ ହୋଇଥିବା ସ୍ଥଳେ ଟେଲିଭିଜନ ଚ଼୍ୟାନେଲ ଷ୍ଟାର, ସୋନି, ଜୀ ଓ ଭାୟକମ୧୮ ସାଙ୍ଗକୁ ଷ୍ଟାର୍ଟ-ଅପ ଭ୍ୟିୁ, ଟିଭିପ୍ଳେ ଓ ହକ, ପ୍ରଯୋଜକ ବାଲାଜୀ ଓ ଏରୋସ ତଥା ଆନ୍ତର୍ଜାତିକ ଭିଡ଼ିଓ ଷ୍ଟ୍ରୀମିଂ ସଂଗଠନ ନେଟଫ୍ଳେକ୍ସ ଓ ଆମେଜନ ପ୍ରାଇମର ଉପସ୍ଥିତି ଏହି କ୍ଷେତ୍ରରେ ବଜାର ସୃଷ୍ଟିରେ ସହାୟକ ହୋଇପାରିଛି । ଯୁବବର୍ଗଙ୍କ ସହିତ ବୟସ୍କ ଦର୍ଶକମାନେ ମଧ୍ୟ ଭିଡ଼ିଓ ଷ୍ଟ୍ରୀମିଂ ପ୍ରତି ଆକୃଷ୍ଟ ହେଉଥିବା କୁହାଯାଉଛି ।


 

ଭାରତରେ ଭିଡ଼ିଓ ପ୍ରସାରଣରେ ୟୁ-ଟ୍ୟୁବ ଶୀର୍ଷସ୍ଥାନ ଅଧିକାର କରିଥାଏ । ଓମିଡୟାର ନେଟୱାର୍କର ରିପୋର୍ଟ ଅନୁଯାୟୀ ଦେଶରେ ବ୍ୟବହୃତ ଇଣ୍ଟରନେଟ ସମୟର ୧୪ ପ୍ରତିଶତ ଦର୍ଶକମାନେ ୟୁ-ଟ୍ୟୁବ ଭିଡ଼ିଓରେ ଅତିବାହିତ କରିଥାନ୍ତି । ୟୁ-ଟ୍ୟୁବର ସତ୍ତ୍ୱାଧିକାରୀ ଗୁଗୁଲ ଇଣ୍ଡିଆର କର୍ମକର୍ତ୍ତାଙ୍କ ହିସାବ ଅନୁଯାୟୀ ଭାରତରେ ଅଶୀ ପ୍ରତିଶତ ୟୁ-ଟ୍ୟୁବ ଉପଭୋକ୍ତା ମୋବାଇଲ ଫୋନ ପର୍ଦ୍ଦାରେ ଭିଡ଼ିଓ ଦେଖିଥାନ୍ତି ।ଏହାର ଦର୍ଶକ ସଂଖ୍ୟା ଦେଶରେ ପ୍ରତିମାସରେ ଚ଼ାରିଶହ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି । ୟୁ-ଟ୍ୟୁବ ଭିଡ଼ିଓ ପ୍ରଦର୍ଶନରେ ଏକ ଦୃଷ୍ଟି ଆକର୍ଷଣକାରୀ ତଥ୍ୟ ଏହି ଯେ ଦଶଜଣ ୟୁ-ଟ୍ୟୁବ ଭିଡ଼ିଓ ଉପଭୋକ୍ତାଙ୍କ ମଧ୍ୟରେ ନଅ ଜଣ ଇଂଲିଶ ଭିନ୍ନ ଅନ୍ୟାନ୍ୟ ଭାରତୀୟ ଭାଷାରେ ଭିଡ଼ିଓ ଉପଭୋଗ କରିଥାନ୍ତି ।


 

ଇଣ୍ଟରନେଟ ସଂଯୋଗ, ସ୍ମାର୍ଟଫୋନ ବ୍ୟବହାର, ୟୁ-ଟ୍ୟୁବ ଭଳି ଭିଡ଼ିଓ ଚ଼୍ୟାନଲରେ ଦର୍ଶକ ସଂଖ୍ୟା ବୃଦ୍ଧି ଏବଂ ଭିଡ଼ିଓ ଉପଭୋକ୍ତାଙ୍କ ମଧ୍ୟରେ ଭାରତୀୟ ଭାଷାଭାଷୀ ଦର୍ଶକଙ୍କ ସଂଖ୍ୟା ଗରିଷ୍ଠତା ଭଳି ପରିସଂଖ୍ୟାନ ଓଡ଼ିଆ ଭିଡ଼ିଓ ପ୍ରଯୋଜନାର ଉଜ୍ଜଳ ଭବିଷ୍ୟତ ସୂଚ଼ାଇ ଥାଏ । ତେବେ ଓଡ଼ିଆ ଚଳଚ଼ିତ୍ର ଓ ଟେଲିଭିଜନ ପ୍ରଯୋଜନା କ୍ଷେତ୍ରରେ ଆମେ ପ୍ରତିବେଶୀ ଭାଷାଭାଷୀଙ୍କ ତୁଳନାରେ ପଛୁଆ ରହି ଆସିଥିବାସ୍ଥଳେ ଭିଡ଼ିଓ ମଞ୍ଚରେ କେତେଦୂର ଉତ୍କର୍ଷତା ହାସଲ କରିପାରିବା ତାହା ଏକ ପ୍ରଶ୍ନବାଚୀ ।      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜାନୁୟାରୀ ୨୦୧

ଟେଲିଭିଜନ ଅଭିବୃଦ୍ଧିରେ ଇଣ୍ଟରନେଟର ଯୋଗଦାନ

ବିଶ୍ୱବ୍ୟାପୀ ବିକଶିତ ରାଷ୍ଟ୍ରଗୁଡ଼ିକରେ ଇଣ୍ଟରନେଟ ପାରମ୍ପରିକ ଟେଲିଭିଜନ ଶିଳ୍ପର ଅଗ୍ରଗତିରେ ବାଧକ ସାଜୁଥିବା ସ୍ଥଳେ ୨୦୧୮ ସୁଦ୍ଧା ଭାରତୀୟ ଟେଲିଭିଜନ ବ୍ୟବସାୟରେ ଅଭିବୃଦ୍ଧି ଅବ୍ୟାହତ ରହୁଥିବା ଗଣମାଧ୍ୟମ ତତ୍ତ୍ୱବିତମାନଙ୍କୁବିସ୍ମିତ କରିଥାଏ ।


 

‘ବ୍ରଡ଼କାଷ୍ଟଅଡ଼ିଏନ୍ସରିସର୍ଚ୍ଚ କାଉନସିଲ’ପକ୍ଷରୁ ପ୍ରକାଶିତ ‘ହ୍ୱାଟ ଇଣ୍ଡିଆ ୱାଚ଼ ୨୦୧୮’ ରିପୋର୍ଟରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭାରତରେ ୪୮ କୋଟି ଲୋକସଂଖ୍ୟାଙ୍କ ମଧ୍ୟରେ ବ୍ରଡ଼ବ୍ୟାଣ୍ଡ ଯୋଗେ ଇଣ୍ଟରନେଟର ବ୍ୟାପ୍ତି ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସାରଣ ନିମନ୍ତେ ପରୋକ୍ଷରେ ଅତିରିକ୍ତ ‘ଓଭର-ଦି-ଟପ’ଷ୍ଟ୍ରୀମିଂ ମଞ୍ଚ ସୃଷ୍ଟି କରିବାରେ ସହାୟକ ହୋଇଥିବା ଲକ୍ଷ୍ୟ କରାଯାଉଛି ଏବଂ ନିକଟ ଭବିଷ୍ୟତରେ ସେହି ଧାରା ଦୃଢ଼ୀଭୂତ ରହିବା ଆଶା କରାଯାଏ ।


 

ଭାରତରେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ଟେଲିଭିଜନ ଓ ଇଣ୍ଟରନେଟ ସହାବସ୍ଥାନର କେତେଗୋଟି କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ ଭାରତୀୟ ଦର୍ଶକ ଟେଲିଭିଜନ ପର୍ଦ୍ଦାରେ ସମ୍ୱାଦ ବଦଳରେ ମନୋରଞ୍ଜନକୁ ପ୍ରାଧାନ୍ୟ ଦେଇଥାଏ । ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ମାତ୍ର ୭.୨ ପ୍ରତିଶତ ଦର୍ଶକ ଦେଖୁଥିବା ସ୍ଥଳେ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ୫୩ ପ୍ରତିଶତ ଓ ଚଳଚ଼ିତ୍ର ୨୪ ପ୍ରତିଶତ ଦର୍ଶକ ଉପଭୋଗ କରିଥାନ୍ତି । ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ଓ ଚଳଚ଼ିତ୍ରପ୍ରଦର୍ଶନ ନିମନ୍ତେ ଟେଲିଭିଜନ ସଙ୍ଗେ ଇଣ୍ଟରନେଟ ସମକକ୍ଷ ହେବା ଅନ୍ତତଃପକ୍ଷେ ନିକଟ ଭବିଷ୍ୟତରେ ସମ୍ଭବପର ନୁହେଁ । ତେଣୁ ଭାରତୀୟ ଦର୍ଶକୀୟରୁଚ଼ି ଟେଲିଭିଜନର ଲୋକପ୍ରିୟତା ଦୀର୍ଘକାଳଲାଗି ବଜାୟ ରଖିବା ସ୍ୱାଭାବିକ ।


 

ଦ୍ୱିତୀୟତଃ ଭାରତୀୟ ଦର୍ଶକ ୨୯ ଗୋଟି ପ୍ରଦେଶରେ ବସବାସ କରିଥାନ୍ତି ଏବଂ ୨୨ ଗୋଟି ମୁଖ୍ୟ ଭାଷାଭାଷୀ। ଏଠାରେ ବ୍ୟାବସାୟିକ ଟେଲିଭିଜନ ଚ଼୍ୟାନେଲ ୨୦୧୯ ସୁଦ୍ଧା ୨୮ ବର୍ଷ ଧରି ଯେଉଁ ପରିମାଣରେ କାର୍ଯ୍ୟକ୍ରମ ବା ‘କଣ୍ଟେଣ୍ଟ’ ପ୍ରସ୍ତୁତ କରିଛି ତାହା ଅନ୍ୟ ମଞ୍ଚଉପଯୋଗୀ କାର୍ଯ୍ୟକ୍ରମ ପ୍ରସ୍ତୁତି ଲାଗି ସମୟସାପେକ୍ଷ । ସେହିପରି ଭାରତୀୟ ଟେଲିଭିଜନର ଅନ୍ୟତମ ଉପାଦାନ ଶତାଧିକ ବର୍ଷରୁ ସମୃଦ୍ଧ ଚଳଚ଼ିତ୍ର ଶିଳ୍ପର ସୃଜନ ଓ ନିବେଶ ଅନ୍ୟତ୍ର ସମ୍ଭବପର ନ ହୋଇପାରେ ।


 

ତୃତୀୟତଃ ଇଣ୍ଟରନେଟ ବ୍ୟାପ୍ତି ଫଳରେ ସାଧାରଣ ଉପଭୋକ୍ତା ଦୈନିକ ୫୦ ମିନଟ ଭିଡ଼ିଓ ଉପଭୋଗ କରୁଥିବା ହିସାବ କରାଯାଉଥିବା ସ୍ଥଳେ ସେଥି ମଧ୍ୟରେ ପ୍ରମୁଖ ଭାଗ ସମୟ ଟେଲିଭିଜନଭିତ୍ତିକକାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଥିବା ଆଶା କରାଯାଇପାରେ । ୨୦୧୭ରୁ ଡ଼ାଟା ଦର ହ୍ରାସ, ଅଳ୍ପ ମୂଲ୍ୟ ବିନିମୟରେ ସ୍ମାର୍ଟଫୋନ ଉପଲବ୍ଧ ତଥା ୪ଜି ଟେଲିଯୋଗାଯୋଗର ପ୍ରସାର ଫଳରେ ଇଣ୍ଟରନେଟର ବେଗ ବୃଦ୍ଧି ଭାରତୀୟ ଦର୍ଶକଙ୍କ ମଧ୍ୟରେ ଭିଡ଼ିଓ ଉପଭୋଗ ସମୟସୀମାକ୍ରମାଗତଭାବେ ବୃଦ୍ଧି ପାଇବା ଲକ୍ଷ୍ୟ କରାଯାଉଥିବା ସ୍ଥଳେ ଇଣ୍ଟରନେଟ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସାରଣ ନିମନ୍ତେ ଏକ ଅତିରିକ୍ତ ମଞ୍ଚ ପ୍ରସ୍ତୁତ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।


 

ଚ଼ତୁର୍ଥତଃ ସମ୍ୱାଦ ଶିଳ୍ପରେ ଗୁଜବ, ଅସତ୍ୟ ସମ୍ୱାଦ ପ୍ରସାର, କୁତ୍ସାରଟନା ଓ ରାଜନୀତିକ ପକ୍ଷପାକ୍ଷିକତାସମ୍ୱାଦର ଗଭୀର ଅନୁଧ୍ୟାନରେ ମୁଖ୍ୟତଃ ଯୁବବର୍ଗଙ୍କ ମଧ୍ୟରେ ବିରୋଧଭାସରଅନ୍ୟତମ କାରଣରୂପେ ଚ଼ିହ୍ନଟ କରାଯାଇପାରେ । ସମ୍ୱାଦକୁ ରାଜନୀତିକ ଓ ବ୍ୟାବସାୟିକ ସାଧନଭାବେ ବ୍ୟବହାର କରାଯାଉଥିବା ତଥା ସମକାଳରେ ନିରପେକ୍ଷ, ସ୍ୱାଧୀନ ସମ୍ୱାଦ ସଂଗ୍ରହ ଓ ପ୍ରସାର ପ୍ରକ୍ରିୟା ସହଜସାଧ୍ୟ ନଥିବା ହେତୁ ମନୋରଞ୍ଜନ ଓ କ୍ରୀଡ଼ା ଦର୍ଶକୀୟସ୍ୱୀକୃତି ଅବ୍ୟାହତ ରହିବ । ଏହି ପରିପ୍ରେକ୍ଷୀ ପାରମ୍ପରିକ ଟେଲିଭିଜନ କାର୍ଯ୍ୟକ୍ରମର ଲୋକପ୍ରିୟତାରେ ସହାୟକ ହେବା ତଥା ଟେଲିଭିଜନ କାର୍ଯ୍ୟକ୍ରମ ଇଣ୍ଟରନେଟଭିତ୍ତିକସ୍ମାର୍ଟଫୋନ ପର୍ଦ୍ଦାରେ ଉପଭୋଗ ଧାରା ପରିବ୍ୟାପ୍ତ କରିବା ଆଶା କରାଯାଇପାରେ ।


 

ଭାରତରେ ଟେଲିଭିଜନ ସେଟ ୧୯ କୋଟି ୭୦ ଲକ୍ଷ ପରିବାରଙ୍କ ଘରେ ଉପଲବ୍ଧ । ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ୮୩ କୋଟି ୬୦ ଲକ୍ଷ ହିସାବ କରାଯାଉଛି । ୨୦୧୭ ତୁଳନାରେ ୨୦୧୮ରେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ଘଟିଛି । ଭାରତୀୟ ଟେଲିଭିଜନ ଉପଭୋକ୍ତାମାନେ ହାରାହାରି ଭାବେ ଦୈନିକ ତିନି ଘଣ୍ଟା ୪୫ ମିନିଟ ଯାଏଁ ଟେଲିଭିଜନ କାର୍ଯ୍ୟକ୍ରମ ଦେଖିଥାନ୍ତି । ଏହି ପରିସଂଖ୍ୟାନ ଆମ ଦେଶରେ ଗଣମାଧ୍ୟମ ଉପତ୍ୟକାରେ ଟେଲିଭିଜନ ପ୍ରସାରଣର ଗୁରୁତ୍ୱ ସୂଚ଼ିତ କରିଥାଏ । ମୁଦ୍ରଣ, ରେଡ଼ିଓ ଓ ଇଣ୍ଟରନେଟମଞ୍ଚ ଟେଲିଭିଜନ ଲୋକପ୍ରିୟତାର ସମକକ୍ଷ ହେବା ଅନ୍ତତଃ ସମକାଳରେ ଅସଂଭବ ମନେ କରାଯାଏ । ଟେଲିଭିଜନର ବ୍ୟାପ୍ତିରେ ଉଭୟ ଚଳଚ଼ିତ୍ର ଶିଳ୍ପ ଓ ଇଣ୍ଟରନେଟ ଅନୁପୂରକ ଉପସ୍ଥିତି ସୃଷ୍ଟିକରି ତାହାକୁ ଅଧିକ ଶକ୍ତିଶାଳୀ ଗଢ଼ି ତୋଳୁଛି ।


 

ଦେଶରେ ଟେଲିଭିଜନ ଶିଳ୍ପର ଅଭିବୃଦ୍ଧିର ଅନ୍ୟତମ କାରଣ ଭାବେ ଏଠାକାର ସୃଜନ ପ୍ରତିଭାର ଅବଦାନ ଗୁରୁତ୍ୱପୂର୍ଣ୍ଣ । ଅର୍ଦ୍ଧଶତାଦ୍ଦୀ ଧରି ସମୃଦ୍ଧ ଚଳଚ଼ିତ୍ର ଶିଳ୍ପ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜନାରେ ସହାୟତାର ହାତ ପ୍ରସାର କରିଥିଲା । ୨୦୧୮ ସୁଦ୍ଧା ଟେଲିଭିଜନ ଶିଳ୍ପରେ ପ୍ରାୟ ୪୫ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ କର୍ମନିଯୁକ୍ତି ଥିବା ହିସାବ କରାଯାଏ । ଏତେ ସଂଖ୍ୟକ ପ୍ରତିଭାଧରଙ୍କ ସୃଜନ ଟେଲିଭିଜନ ଶିଳ୍ପକୁ ପରିପୁଷ୍ଟ କରିପାରୁଛି ଏବଂ ଏଠାକାର କାର୍ଯ୍ୟକ୍ରମ ଆନ୍ତର୍ଜାତିକସ୍ତରରେ ସ୍ୱୀକୃତ ।


 

ଦେଶରେ ଟେଲିଭିଜନ କାର୍ଯ୍ୟକ୍ରମର ଗୁଣବତ୍ତା ଅନୁଧ୍ୟାନ କରିବା ନିମନ୍ତେ ‘ବ୍ରଡ଼କାଷ୍ଟଅର୍ଡ଼ିଏନ୍ସରିସର୍ଚ୍ଚ କାଉନସିଲ’ ଗଠନ ଟେଲିଭିଜନ ଶିଳ୍ପର ଅନ୍ୟତମ ବିଭବ । ଟେଲିଭିଜନ ଚ଼୍ୟାନେଲ ମାଲିକ, ବିଜ୍ଞାପନ ଦାତା ଓ ବିଜ୍ଞାପନ ପରିଚ଼ାଳନା ପ୍ରତିଷ୍ଠାନଗୁଡ଼ିକର ମିଳିତ ଉଦ୍ୟମରେ ଗଠିତ ଏହି କାଉନସିଲ ଆନୁକୂଲ୍ୟରେ ୪୦ ହଜାର ଟେଲିଭିଜନ ସେଟ ଉପଲବ୍ଧ ଗୃହରେ ଏକ ଲକ୍ଷ ୮୦ ହଜାର ଟେଲିଭିଜନ ଦର୍ଶକଙ୍କ ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋଗର ପୁଙ୍ଖାନୁପୁଙ୍ଖ ବିବରଣୀ ସାପ୍ତାହିକଭିତ୍ତିରେ ସଂଗ୍ରହ କରାଯାଇ ଅନୁଶୀଳନ ସହ ପ୍ରକାଶିତ କରାଯାଇଥାଏ । ଫଳରେ ଟେଲିଭିଜନ କାର୍ଯ୍ୟକ୍ରମଗୁଡ଼ିକରଲୋକପ୍ରିୟତା ସଂପର୍କରେ ବିଜ୍ଞାନସମ୍ମତ୍ତ ଧାରାରେ ତଥ୍ୟ ଉପଲବ୍ଧ ହୋଇଥାଏ । ଦେଶରେ ୫୯୫ ଗୋଟି ଟେଲିଭିଜନ ଚ଼୍ୟାନେଲ କାର୍ଯ୍ୟକ୍ଷମ ଥିବା ସ୍ଥଳେ ସେଗୁଡ଼ିକରେ ପ୍ରଦର୍ଶିତ କାର୍ଯ୍ୟକ୍ରମର ଗୁଣବତ୍ତା ଆକଳନ ଅନ୍ତତଃପକ୍ଷେ ବିଜ୍ଞାପନଦାତାଙ୍କନିମନ୍ତେ ଅପରିହାର୍ଯ୍ୟ । ଅପରପକ୍ଷେ ଭାରତୀୟ ଟେଲିଭିଜନ ଶିଳ୍ପ ଅନେକାଂଶରେ ବିଜ୍ଞାପନ ଆୟ ଉପରେ ନିର୍ଭରଶୀଳ ହୋଇଥିବା ହେତୁ ବିଜ୍ଞାପନ ପ୍ରଦର୍ଶନ ଲାଗି ଟେଲିଭିଜନ କାର୍ଯ୍ୟକ୍ରମର ଲୋକପ୍ରିୟତା ଆକଳନରେ ସ୍ୱଚ୍ଛତା ଗୁରୁତ୍ୱ ବହନ କରିଥାଏ ।


 

ଗଣମାଧ୍ୟମ ତତ୍ତ୍ୱରେ ବିଭିନ୍ନ ମଞ୍ଚର ସହବସ୍ଥାନ ‘ମିଡ଼ିଆ କୋ-ଏକଜିଷ୍ଟସ’ ସଂପର୍କରେ କୁହାଯାଉଥିବାସ୍ଥଳେଭାରତରେ ଟେଲିଭିଜନ,ଚଳଚ଼ିତ୍ର ଓ ଇଣ୍ଟରନେଟ କ୍ଷେତ୍ରରେ ତାହାର ସତ୍ୟତା ପ୍ରତିପାଦିତ ହୋଇଥାଏ ବୋଲି କୁହାଯାଇପାରେ ।       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୯ ଏପ୍ରିଲ ୨୦୧


ତଥ୍ୟ:



Khandekar, VanitaKohli. (Mediascope) The real drama on TV. Business Standard (Bhubaneswar Edition). March 13, 2019

ଟେଲିଭିଜନ ପ୍ରସାରଣରେ ନୂତନ ମଞ୍ଚ

ଭାରତରେ ଟେଲିଭିଜନ ପ୍ରସାରଣର ଇତିହାସରେ ଆନ୍ତର୍ଜାତିକସ୍ତରରେ ଉଦ୍ଭାବିତ ନୂତନ ବୈଷୟିକ କୌଶଳଗୁଡ଼ିକର ସଫଳ ଉପଯୋଗର ଉଦାହରଣମାନ ପ୍ରତିବିମ୍ୱିତ ।


 

ବିକଶିତ ରାଷ୍ଟ୍ରଗୁଡ଼ିକରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଟେଲିଭିଜନ ପ୍ରସାରଣ ପ୍ରସାରଲାଭ କରିଥିବା ସ୍ଥଳେ ଆମ ଦେଶରେ ସେଟଲାଇଟ ଉପଯୋଗରେ ୧୯୮୨ ବେଳକୁ ଖୁବ କମ ସମୟ ଅବଧିରେ ସମଗ୍ର ଦେଶରେ ସମ୍ଭବପର ହୋଇପାରିଥିଲା । ଏଥିନିମନ୍ତେ ୧୯୭୫ ରୁ ୧୯୭୭ ଦୁଇ ବର୍ଷ ଧରି ପରୀକ୍ଷାମୂଳକ ପ୍ରସାରଣ ଆୟୋଜନ କରାଯାଇଥିଲା ।ସେଟଲାଇଟ ପ୍ରସାରଣ ପୂର୍ବରୁ ପ୍ରଚ଼ଳିତ ଟେରିଷ୍ଟରିଆଲ ପ୍ରସାରଣ ଅତ୍ୟନ୍ତ ବ୍ୟୟବହୁଳ, ଶ୍ରମ ତଥା ସମୟସାପେକ୍ଷ ଥିବାସ୍ଥଳେ ସେଟଲାଇଟ ପ୍ରସାରଣ ଭାରତୀୟ ଭୌଗଳିକ ବିସ୍ତୃତି ଓ ଅର୍ଥନୀତିକସ୍ଥିତିକୁ ସୁହାଇଥିଲା ।


 

ଦ୍ୱିତୀୟ ପର୍ଯ୍ୟାୟରେ ଗତ ଶତାଦ୍ଦୀର ନବମଦଶକ ଆରମ୍ଭରୁ କେବଲ ଟେଲିଭିଜନ ପ୍ରସାରଣ ଗୁଣାତ୍ମକ ବିକାଶରେ ସହାୟକ ହୋଇଥିଲା । ସେଟଲାଇଟ ଟେଲିଭିଜନ ପ୍ରସାରଣ ତୁଳନାରେ କେବଲ ଟେଲିଭିଜନ ପ୍ରଣାଳୀରେ ଅଧିକ ଚ଼୍ୟାନେଲର କାର୍ଯ୍ୟକ୍ରମ ତଥା ଚ଼ିତ୍ର ଓ ଶଦ୍ଦର ମାନ ବୃଦ୍ଧି ଘଟିଥିଲା । ଗଣମାଧ୍ୟମରେ ପ୍ରଚଳିତ ମୁଦ୍ରଣ, ରେଡ଼ିଓ ଓ ଚଳଚ଼ିତ୍ର ସାଙ୍ଗକୁ ଟେଲିଭିଜନ ଘରୋଇ ଉଦ୍ୟୋଗରେ ଏକ ଶିଳ୍ପରୂପେ ମୁଣ୍ଡଟେକିଲା । ଚଳିତ ଶତାଦ୍ଦୀର ଦ୍ୱିତୀୟ ଦଶକରୁ କେବଲ ଟେଲିଭିଜନର ଡ଼ିଜିଟାଲ ରୂପାନ୍ତରୀକରଣ ଟେଲିଭିଜନ ପ୍ରସାରଣକୁ ଅଧିକ ସୁସଂହତ କରିବାରେ ସମର୍ଥ ହେଲା ।


 

ତୃତୀୟ ପର୍ଯ୍ୟାୟରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ‘ଡ଼ାଇରେକ୍ଟ-ଟୁ-ହୋମ’(ଡ଼ିଟିଏଚ଼) ପ୍ରସାରଣ ସେବା ଦେଶରେ ଟେଲିଭିଜନ ପ୍ରସାରଣରେ ନୂତନ ସମ୍ଭାବନା ସୃଷ୍ଟି କରିଥିଲା । ଏକପକ୍ଷରେ ସହରାଞ୍ଚଳରେ ଟେଲିଭିଜନ ଉପଭୋକ୍ତାମାନଙ୍କ ନିମନ୍ତେ କେବଲ ଟେଲିଭିଜନ ତୁଳନାରେ ଡ଼ିଟିଏଚ଼ ପ୍ରସାରଣ ଚ଼୍ୟାନେଲ ସଂଖ୍ୟା ବୃଦ୍ଧି, ବିକଳ୍ପ କାର୍ଯ୍ୟକ୍ରମ ତଥା ପ୍ରସାରଣ ମାନବୃଦ୍ଧିରେ ସହାୟକ ହୋଇଥିବା ସ୍ଥଳେ ଅପହଞ୍ଚ ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ଟେଲିଭିଜନ ପ୍ରସାରଣ ସେବା ଯୋଗାଇବା ସମ୍ଭବପର ହୋଇପାରିଥିଲା ।


 

ଚ଼ତୁର୍ଥ ପର୍ଯ୍ୟାୟରେ ୨୦୧୮ ଶେଷ ବେଳକୁ ଟେଲିଭିଜନ ପ୍ରସାରଣ ସହ ଇଣ୍ଟରନେଟ ସେବା ଯୋଗ କରି ଉପଭୋକ୍ତାଙ୍କ ନିମନ୍ତେ ବିବିଧ ସୁବିଧା ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ଉଦ୍ୟମ ଆରମ୍ଭ ହୋଇଛି ।ଦେଶର ଅନ୍ୟତମ ଅଗ୍ରଣୀ ଟେଲିକମ କମ୍ପାନୀ ଜିଓ ‘ଫାଇବର-ଟୁ-ଦି-ହୋମ’ (ଏଫଟିଟିଏଚ଼) ସେବାରେ ମନୋନିବେଶ କରିଥିବା ଚର୍ଚ୍ଚିତ ହେବାରେ ଲାଗିଛି ।


 

ଭାରତରେ ଏକିବଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଶେଷ ସୁଦ୍ଧା ୧୯ କୋଟି ୭୦ ଲକ୍ଷ ବାସଗୃହରେ ଟେଲିଭିଜନ ସେଟ ଉପଲବ୍ଧ । ସେଥିମଧ୍ୟରୁ ୮ କୋଟି ୬୦ ଲକ୍ଷ କେବଲ ଟେଲିଭିଜନ ତଥା ୬ କୋଟି ୯୦ ଲକ୍ଷ ଡ଼ିଟିଏଚ଼ ଟେଲିଭିଜନ ଉପଭୋକ୍ତା ଅର୍ନ୍ତଭୁକ୍ତ । ଦେଶର ଟେଲିଭିଜନ ପ୍ରସାରଣରେ ନୂତନ ପର୍ଯ୍ୟାୟରେ ଏମାନଙ୍କ ମଧ୍ୟରୁ ୫ କୋଟି ଉପଭୋକ୍ତାଙ୍କୁ ପ୍ରାଥମିକ ଉଦ୍ୟମରେ ଏଫଟିଟିଏଚ଼ ଉପଭୋକ୍ତାରୂପେ ପରିବର୍ତ୍ତନ କରାଯିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।


 

ଏଫଟିଟିଏଚ଼ ପ୍ରସାରଣ ପଦ୍ଧତି ପ୍ରଚଳନରେ ୨୦ କୋଟି ପରିବାରଙ୍କ ବାସଗୃହକୁ ଫାଇବର ଅପ୍ଟିକ ତାର ବିଛାଇ ସଂଯୋଗ ସ୍ଥାପନ କରାଯିବ ଆବଶ୍ୟକ । ଏଭଳି ସଂଯୋଗରେ କନଭରଜେନ୍ସ ପ୍ରକ୍ରିୟାରେ କେବଲ ବା ଡ଼ିଟିଏଚ଼ ଭଳି ଟେଲିଭିଜନ ଚ଼୍ୟାନେଲଗୁଡ଼ିକର ପ୍ରସାରଣ ସାଙ୍ଗକୁ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇବା ସମ୍ଭବପର । ଏଫଟିଟିଏଚ଼ ପ୍ରସାରଣ ଗୁଣାତ୍ମକ ଦୃଷ୍ଟିରୁ କେବଲ ବା ଡ଼ିଟିଏଚ଼ଠାରୁ ଉନ୍ନତ ହେବା ସ୍ୱାଭାବିକ ।ଏହା ସହ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟର ଯାବତୀୟ ସୁବିଧା ଉପଭୋକ୍ତା ପାଇପାରିବେ ।ଫାଇବର ଅପ୍ଟିକ ତାର ସଂଯୋଗ ହେତୁ ଅଧିକ ବେଗରେ ଇଣ୍ଟରନେଟ ସେବା ଉପଲବ୍ଧ ହୋଇପାରିବ ।


 

ପରିବର୍ତ୍ତିତ ପରିସ୍ଥିତିରେ ଟେଲିଭିଜନ ପ୍ରସାରଣ ଓ ଇଣ୍ଟରନେଟ ସେବାର କନଭରଜେନ୍ସ ଗୁରୁତ୍ୱବହନ କରିଥାଏ । ଉଚ୍ଚଶ୍ରେଣୀ ଦର୍ଶକମଣ୍ଡଳୀ ‘ପ୍ରିମିୟମ ସେଗମେଣ୍ଟ ଅଡ଼ିଏନ୍ସ’ ସାଧାରଣ କେବଲ ଟେଲିଭିଜନ ଚ଼୍ୟାନେଲରୁ ହଟଷ୍ଟାର, ନେଟଫ୍ଳେକ୍ସ, ଆମେଜନ ପ୍ରାଇମ ଭଳି ରୁଚ଼ି ସମ୍ପନ୍ନ ଟେଲିଭିଜନ ଷ୍ଟ୍ରୀମିଂ ସେବା ପ୍ରତି ଆକୃଷ୍ଟ ହେଉଛନ୍ତି । ବ୍ୟାବସାୟିକ ବିଜ୍ଞାପନ ଅନଲାଇନ ମଞ୍ଚଗୁଡ଼ିକୁ ସ୍ଥାନାନ୍ତରିତ ହେବାରେ ଲାଗିଛି । ମନୋରଞ୍ଜନ ସାଙ୍ଗକୁ ଅର୍ଥ ଦେଣନେଣ, କିଣାବିକା, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଅନଲାଇନ ପରିବେଶରେ ସୁଦୃଢ଼ ହେଉଥିବା ଅବସରରେ ନିର୍ଭରଶୀଳ ଓ କ୍ଷୀପ୍ର ଇଣ୍ଟରନେଟ ସଂଯୋଗ କ୍ରମଶଃ ଏକ ମୌଳିକ ଆବଶ୍ୟକତାରେ ପରିଣତ ହେବା ଆଶା କରାଯାଇପାରେ । ସର୍ବୋପରି ସରକାରୀସ୍ତରରେ ଡ଼ିଜିଟାଲ ପ୍ରଶାସନ ନିମନ୍ତେ ନୀତିନିର୍ଦ୍ଧାରଣ ଉନ୍ନତ ଇଣ୍ଟରନେଟ ସେବାକୁ ଉତ୍ସାହିତ କରିବ।


 

ତଥ୍ୟାଭିଜ୍ଞମାନଙ୍କ ଯୁକ୍ତି ହେଲା ଟେଲିଭିଜନ ପ୍ରସାରଣରେ ଟେରିଷ୍ଟରିଆଲ କେବଲ ଓ କେବଲରୁ ଡ଼ିଟିଏଚ଼ ମଞ୍ଚକୁ ଉପଭୋକ୍ତାଙ୍କ ସ୍ଥାନାନ୍ତରିକରଣର ଅଭିଜ୍ଞତା କେବଲ ଓ ଡ଼ିଟିଏଚ଼ରୁ ଏଫଟିଟିଏଚ଼ ମଞ୍ଚରେ ଉପଭୋକ୍ତାଙ୍କ ଉପସ୍ଥିତିଲାଗି ସହାୟକ ହେବ । ତେବେ ବାସଗୃହଗୁଡ଼ିକୁ ଫାଇବର ଅପ୍ଟିକ ତାର ବିଛାଇବାରେ ନିବେଶ ଦୃଷ୍ଟିରୁ ପ୍ରାଥମିକ ପର୍ଯ୍ୟାୟରେ ପାଞ୍ଚ କୋଟି ଉପଭୋକ୍ତା ସଂଗୃହୀତ ନ ହୋଇପାରିଲେ ପ୍ରସାରଣ ମଞ୍ଚ ଚଳାଇବା ବ୍ୟାବସାୟିକ ଅର୍ଥନୀତି ସମତୁଲ ହୋଇପାରିବ ନାହିଁ । ତେବେ ୪ଜି ପ୍ରସାରଣ କ୍ଷେତ୍ରରେ ପ୍ରସ୍ତୁତ ପରିବେଶ ଏଫଟିଟିଏଚ଼ କ୍ଷେତ୍ରରେ ଆଶା କରାଯିବା ଅସମଚ଼ୀନ ନୁହେଁ ।


 

ଗ୍ରାହକ ଚ଼ାନ୍ଦା ବାବଦରେ ଡ଼ିଟିଏଚ଼ ସେବା ନିମନ୍ତେ ଉପଭୋକ୍ତାମାନେ ମାସିକ ହାରାହାରି ୨୫୦ ରୁ ୫୦୦ ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ଏଫଟିଟିଏଚ଼ କ୍ଷେତ୍ରରେ ମାସିକ ୧,୦୦୦ ଟଙ୍କା ଆବଶ୍ୟକ ପଡ଼ିପାରେ ବୋଲି କୁହାଯାଉଛି । କିନ୍ତୁ ବର୍ଦ୍ଧିତ ପରିମାଣର ଗ୍ରାହକ ଚ଼ାନ୍ଦାରେ ଯଦି ଇଣ୍ଟରନେଟ ସେବା ତଥା ଗୋଟିଏ ବାସଗୃହରେ ୱାଇଫାଇ ଉପଯୋଗରେ ଏକାଧିକ ଉପକରଣ ବ୍ୟବହାରର ସୁଯୋଗ ଉପଲବ୍ଧ ହେବ ତାହା ଏକ ନୂତନ ସମୀକରଣ ସୃଷ୍ଟି କରିବା ଆଶା କରାଯାଇପାରେ ।


 

ଜିଓ ପକ୍ଷରୁ ହାଥୱେ ଓ ଡ଼େନ ନାମକ ଦୁଇଗୋଟି କେବଲ ଟେଲିଭିଜନ କମ୍ପାନୀକୁ ଅଧିଗ୍ରହଣ କରାଯାଇଛି । ଏହି ଦୁଇ ପ୍ରସାରଣ ସଂସ୍ଥାର ପ୍ରାୟ ୨ କୋଟି ୪୦ଲକ୍ଷ ଉପଭୋକ୍ତା ଜିଓର ନିୟନ୍ତ୍ରଣାଧୀନ ହୋଇପାରିଛନ୍ତି ।ରିଲାଏନ୍ସ ପକ୍ଷରୁ ଫାଇବର ଅପ୍ଟିକ ତାର ବିଛାଇବା କାମ ଦୀର୍ଘ ଦିନରୁ ଚ଼ାଲିଛି । ହୁଏତ ଉପଲବ୍ଧ ସୁବିଧା ସୁଯୋଗକୁ ପାଥେୟ କରି ନିକଟ ଭବିଷ୍ୟତରେ ଏଫଟିଟିଏଚ଼ ସେବା ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି। ପ୍ରାଥମିକ ଅବସ୍ଥାରେ ଡ଼ିଜିଟାଲ କେବଲ ସେଟଟପ ବକ୍ସ ଜରିଆରେ ପ୍ରସାରଣ ବ୍ୟବସାୟ ଆରମ୍ଭ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ଫାଇବର ଅପ୍ଟିକ ସେବାକୁ ଉନ୍ନିତ କରାଯାଇପାରେ ବୋଲି କୁହାଯାଉଛି । ତେବେ ଏଭଳି ସେବା ସଂପ୍ରସାରଣ ବିପୁଳ ନିବେଶ ଆବଶ୍ୟକ ହେଉଥିବା ହେତୁ ସମଗ୍ର ଦେଶ ବଦଳରେ ୭୫୦ଗୋଟି ସହରାଞ୍ଚଳରେ ତତ୍ କ୍ଷଣାତ ସଫଳତା ସମ୍ଭବପର ବୋଲି ଆଶା କରାଯାଉଛି ।


 

ଇଣ୍ଟରନେଟ ସେବାର ଗୁଣବତ୍ତା ଦୃଷ୍ଟିରୁ ଭାରତର ସ୍ଥାନ ଆନ୍ତର୍ଜାତିକସ୍ତରରେ ସର୍ବନିମ୍ନ ଅବସ୍ଥାରେ ରହିଆସିଛି । ଦେଶର ମାତ୍ର ୪୦ ପ୍ରତିଶତ ନାଗରିକ ଇଣ୍ଟରନେଟ ସଂଯୁକ୍ତ ହୋଇପାରିଛନ୍ତି । ସରକାରୀସ୍ତରରେ ଦେଶର ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ‘ଭାରତ ନେଟ’ ମାଧ୍ୟମରେ ବ୍ରଡ଼ବ୍ୟାଣ୍ଡ ସଂଯୁକ୍ତିପାଇଁ ପ୍ରଚ଼େଷ୍ଟା ଅବ୍ୟାହତ ରହିଛି । ଏହି ପରିପ୍ରେକ୍ଷୀରେ ଘରୋଇ ଉଦ୍ୟୋଗରେ ଇଣ୍ଟରନେଟର ମାନବୃଦ୍ଧି ନିମନ୍ତେ ଉଦ୍ୟମ ସ୍ୱାଗତଯୋଗ୍ୟ । ସେହିପରି ବିଭିନ୍ନ ବର୍ଗର ଟେଲିଭିଜନ ଦର୍ଶକଙ୍କ ରୁଚ଼ିକୁ ସୁହାଇବା ତଥା ମନୋରଞ୍ଜନ ଶିଳ୍ପରେ ସର୍ଜନଶୀଳତା ବିକାଶ ନିମନ୍ତେ ଟେଲିଭିଜନ ପ୍ରସାରଣରେ ଗୁଣାତ୍ମକ ବିକାଶ ଉଦ୍ୟମ ମଧ୍ୟ ଅଭିନନ୍ଦନୀୟ । ଏ ଦିଗରେ ଜିଓ ଯଦି ଏକ ସଫଳ ବ୍ୟାବସାୟିକ ମଡ଼େଲ ସଂଯୋଜନାରେ ସମର୍ଥ ହୁଏ ତେବେ ଦେଶବାସୀ ଉପକୃତ ହେବେ ।        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୬ ଅକ୍ଟୋବର ୨୦୧


ତଥ୍ୟ:



Das Gupta, Surajeet. Jio readies plan to woo DTH customers. Business Standard (Bhubaneswar Edition). October 23, 2018.


 

Pinto, Viveat Susan. What next for Reliance Industries in the media sector. Business Standard (Bhubaneswar Editon). October 25, 2018.

‘ଜୀ’ ନିବେଶରୁ ପୁଞ୍ଜି ପ୍ରତ୍ୟାହାର

‘ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜର୍ସ’ ଭାରତର ସର୍ବବୃହତ୍ତ ଗଣମାଧ୍ୟମ ମଞ୍ଚର ମାନ୍ୟତା ପାଇଥାଏ । ଜୀ ଟେଲିଭିଜନର ସତ୍ତ୍ୱାଧିକାରୀ ଜୀ ମିଡ଼ିଆ ସହ ଡ଼ିସଟିଭି, ସିଟିକେବଲ ଇତ୍ୟାଦି ବ୍ୟବସାୟ ଏହି ମଞ୍ଚର କର୍ତ୍ତୃତ୍ୱାଧୀନ । ସୁଭାଷ ଚ଼ନ୍ଦ୍ର ଓ ତାଙ୍କରି ପରିବାର ଜୀ ଗୃପର ମୁଖ୍ୟ ନିବେଶକ । ସେମାନଙ୍କ ଅଂଶଧନର ପରିମାଣ ପ୍ରାୟ ୪୧.୬ ପ୍ରତିଶତ । ୨୦୧୮ ନଭେମ୍ବର ପ୍ରଥମ ସପ୍ତାହରେ ସୁଭାଷ ଚ଼ନ୍ଦ୍ର ନିଜର ଅର୍ଦ୍ଧେକ ଅଂଶଧନ ୨୦.୮ ପ୍ରତିଶତ କେହି ସହଯୋଗୀ ନିବେଶକଙ୍କୁ ବିକ୍ରୀ କରିଦେବା ନିମନ୍ତେ ପ୍ରସ୍ତୁତ ହେଉଥିବା ପ୍ରକାଶ ପାଇଛି ।ଏହି ଘଟଣାକ୍ରମ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।


 

ବିଗତ କିଛି ବର୍ଷ ଧରି ଆଧୁନିକ ପ୍ରଯୁକ୍ତି କୌଶଳ ଉପଯୋଗ ଯୋଗୁଁ ବିଶ୍ୱବ୍ୟାପୀ ଗଣମାଧ୍ୟମ ପରିବେଶ ଦୃତ ବେଗରେ ପରିବର୍ତ୍ତିତ ହେବାରେ ଲାଗିଛି । ତେବେ ଭାରତ ଭଳି ଏସୀୟ ରାଷ୍ଟ୍ରଗୁଡ଼ିକରେ ପରିବର୍ତ୍ତନର ସ୍ରୋତ ପ୍ରଖର ନଥିବା ତଥା ପାରମ୍ପରିକ ଢ଼ାଞ୍ଚା ବଳବତ୍ତର ରହିଥିବା ବିଶ୍ୱାସ କରାଯାଉଥିଲା । କିନ୍ତୁ ଦେଶର ସର୍ବବୃହତ୍ତ ଗଣମାଧ୍ୟମ ମଞ୍ଚରେ ନିବେଶ ପ୍ରତ୍ୟାହାର ନିଷ୍ପତ୍ତି ତତ୍ତ୍ୱବିତମାନଙ୍କୁ ସମ୍ଭାବ୍ୟ ପରିବର୍ତ୍ତନ ପୁନଃନିର୍ଦ୍ଧାରଣ ଲାଗି ବାଧ୍ୟ କରିଛି ।


 

ଜୀ ଗୃପର ଅଧ୍ୟକ୍ଷ ସୁଭାଷ ଚ଼ନ୍ଦ୍ର ପ୍ରସ୍ତାବିତ ଅଂଶଧନ ଅପସାରଣକୁ ଏକ ସାଧାରଣ ବ୍ୟାବସାୟିକ ପ୍ରକ୍ରିୟା ଅଭିହିତ କରିଛନ୍ତି । ସେ କହୁଛନ୍ତି ଯେ ଟେଲିଭିଜନ, ପର୍ସନାଲ କମ୍ପୁଟର ଓ ମୋବାଇଲ ସମ୍ମିଳିତ ଭାବେ କ୍ରମଶଃ ଏକକ ମଞ୍ଚରେ ପରିଣତ ହେବାରେ ଲାଗିଛି । ଉପଭୋକ୍ତାମାନେ ମୂଲ୍ୟଯୁକ୍ତ ସେବା ‘ଓଭର-ଦି-ଟପ’ (ଓଟିପି) ସୁବିଧା ସୁଯୋଗ ଉପଭୋଗ ଲାଗି ଗ୍ରାହକ ଚ଼ାନ୍ଦା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ନୂତନ କାରିଗରୀ କୌଶଳ ଉପଯୋଗ କରି ଟେଲିଭିଜନ ପ୍ରସାରଣ ଭଳି ପାରମ୍ପରିକ ମାଧ୍ୟମ ତୁଳନାରେ ‘ଓଟିପି’ ମାଧ୍ୟମରେ ଗ୍ରାହକ ପିଛା ଅଧିକ ରାଜସ୍ୱ ଆଦାୟ କରିବା ସୁଯୋଗ ଗ୍ରହଣ କରିବାକୁ ହେଲେ ଜୀ ଗୃପର ପୁନଃବିନ୍ୟାସ ନିତାନ୍ତ ଆବଶ୍ୟକ ।


 

ସୁଭାଷ ଚ଼ନ୍ଦ୍ରଙ୍କ ଦୃଷ୍ଟିରେ ଜୀ ଗୃପ ଭାରତ ସୀମାପାର କରି ଆନ୍ତର୍ଜାତିକ ବଜାରରେ ପ୍ରବେଶ କରିବା ସମୟ ଆସିଯାଇଛି । ନେଟଫ୍ଳିକ୍ସ, ଆମେଜନ ଭଳି ମଞ୍ଚ ଭାରତରେ ଆସ୍ଥାନ ଜମାଇବା ଆରମ୍ଭ କରିସାରିଥିବା ସ୍ଥଳେ ସ୍ଥାନୀୟ ମଞ୍ଚଗୁଡ଼ିକ ସେମାନଙ୍କ ସହ ମୁକାବିଲା କରିବା ନିମନ୍ତେ ନିଜର ଉପସ୍ଥିତି ବିସ୍ତୃତ କରିବା ଅପରିହାର୍ଯ୍ୟ । ନଚ଼େତ ପ୍ରତିଯୋଗିତାରେ ପଛରେ ପଡ଼ିଯିବା ସଂଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । ଆନ୍ତର୍ଜାତିକସ୍ତରରେ ବ୍ୟବସାୟ ବିସ୍ତୃତି ନିମନ୍ତେ ନୂତନ ପ୍ରଯୁକ୍ତି କୌଶଳ ଉପଯୋଗ ଆବଶ୍ୟକ ଏବଂ ଏଥିନିମନ୍ତେ ନିବେଶ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ ।


 

ଗଣମାଧ୍ୟମ ସମୀକ୍ଷକମାନେ ରିଲାଏନ୍ସର ପ୍ରସ୍ତାବିତ ଜିଓ-ଫାଇବର-ଟୁ-ଦି-ହୋମ ପ୍ରକଳ୍ପର ସମକକ୍ଷ ହେବା ନିମନ୍ତେ ଜୀ ଗୃପକୁ ବ୍ୟବସାୟ ନବୀକରଣ ନିମନ୍ତେ ବାଧ୍ୟ କରୁଛି ବୋଲି କହୁଛନ୍ତି । ଜିଓର ବିପୁଳ ନିବେଶର ସାମ୍ନା କରିବା ନିମନ୍ତେ ଜୀର ସମ୍ୱଳ ଅଭାବଥିବା ହେତୁ ଏକ ଅନ୍ତଃରାଷ୍ଟ୍ରୀୟ ସହଯୋଗୀ ଖୋଜୁଥିବା କାରଣ ଦର୍ଶାଯାଉଛି ।


 

କେବଲ ଟେଲିଭିଜନ ବିତରଣ କ୍ଷେତ୍ରରେ ଜିଓ ଡ଼େନ ନେଟୱାର୍କସ ଓ ହାଥ-ୱେ କେବଲ ଏଣ୍ଡ ଡ଼ାଟା ଅଧିଗ୍ରହଣପରେ ପ୍ରାୟ ଦୁଇ କୋଟି ଗ୍ରାହକ ସଂଗ୍ରହ କରିପାରିଛି । ଅପର ପକ୍ଷରେ ଜୀ ସିଟି କେବଲନିକଟରେ ମାତ୍ର କୋଟିଏ ୧୭ ଲକ୍ଷ ଗ୍ରାହକ ଉପଲବ୍ଧ । ଦେଶରେ ଇଣ୍ଟରନେଟ ମାଧ୍ୟମରେ ମୂଲ୍ୟଯୁକ୍ତ ସେବା ‘ଓଟିଟି’ମଞ୍ଚଗୁଡ଼ିକରେ ପ୍ରାୟ ୨୫ କୋଟି ଉପଭୋକ୍ତା ସାମିଲ ହୋଇସାରିଥିବା ତଥା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ଦ୍ୱିଗୁଣିତ ହେବା ଆଶା କରାଯାଉଥିବା ସ୍ଥଳେ ରାଜସ୍ୱ ସଂଗ୍ରହ ନିମନ୍ତେ ଏହା ଏକ ବଳିଷ୍ଠ ମଞ୍ଚ ରୂପେ ଅବତୀର୍ଣ୍ଣ ହେବା ଆଶା କରାଯାଉଛି । ଜୀର ‘ଓଟିଟି’ ଜୀ୫ରେ ପ୍ରାୟ ଚ଼ାରି କୋଟି ୧୦ ଲକ୍ଷ ମାସିକ ଗ୍ରାହକ ହିସାବ କରାଯାଉଥିବେ ସ୍ଥଳେ ଜିଓ ଟିଭି ଲାଇଭରେ ମଧ୍ୟ ସମସଂଖ୍ୟକ ଗ୍ରାହକ ଅନ୍ତର୍ଭୁକ୍ତ । ଏହି ଭଳି ପ୍ରତିଯୋଗିତାପୂର୍ଣ୍ଣ ପରିବେଶରେ ଉଭୟେ ସଜାଗ ରହିବା ସ୍ୱାଭାବିକ ।


 

‘ନେଟଫ୍ଳିକ୍ସ’ର ସଫଳତା ଗଣମାଧ୍ୟମ ସମୀକ୍ଷକମାନଙ୍କୁ ବିସ୍ମିତ କରିଛି । ଚଳଚ଼ିତ୍ର ନିର୍ମାଣ କ୍ଷେତ୍ରରେ ପାରମ୍ପରିକଭାବେ ଧରାବନ୍ଧା ନିୟମକାନୁନ ଚଳି ଆସିଥିଲା । ତେବେ ତା’ ବଦଳରେ ସର୍ଜନଶୀଳତାକୁ ପ୍ରାଧାନ୍ୟ ଦେଇ ଚଳଚ଼ିତ୍ର ନିର୍ମାଣପରେ ଦର୍ଶକ ମହଲରେ ତାହା ଲୋକପ୍ରିୟତା ହାସଲ କରିବା ଦ୍ୱାରା ଚଳଚ଼ିତ୍ର ନିର୍ମାଣରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ୨୦୧୭ରେ ‘ନେଟଫ୍ଳିକ୍ସ’ ପକ୍ଷରୁ ୮୨ ଗୋଟି ଚଳଚ଼ିତ୍ର ଓ ୭୦୦ ଅଧ୍ୟାୟ ନୂତନ ପ୍ରଦର୍ଶନ ନିର୍ମାଣ କରାଯାଇଥିଲା । ଏହି ଚ୍ୟାନେଲ ୧୯୦ ଗୋଟି ରାଷ୍ଟ୍ରରେ ୧୩ କୋଟି ୭୦ ଲକ୍ଷ ଗ୍ରାହକ ସୃଷ୍ଟି କରିପାରିଛି । ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ‘ନେଟଫ୍ଳିକ୍ସ’ ଯେଉଁ ଉଦାହରଣ ସୃଷ୍ଟି କରିଛି ବିଶ୍ୱବ୍ୟାପୀ ଟେଲିଭିଜନ ଶିଳ୍ପ ଊଣାଅଧିକେ ପ୍ରଭାବିତ ହୋଇଛନ୍ତି ।


 

ଜୀ ନିକଟରେ ଅଧିକ ସଂଖ୍ୟକ ଚଳଚ଼ିତ୍ର ଡ଼ିଜିଟାଲ ପ୍ରଦର୍ଶନ ସତ୍ତ୍ୱ ଗଚ୍ଛିତ ରହିଛି । ଜୁନ ୨୦୧୮ରୁ ଜୁନ ୨୦୧୯ ମଧ୍ୟରେ ଜୀ ଛଅ ଗୋଟି ହିଟ ଚଳଚ଼ିତ୍ର କିଣିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛି । ତେବେ ଜିଓ ଚଳଚ଼ିତ୍ର କିଣିବାରେ ଆଗ୍ରହ ପ୍ରକାଶ କରୁନାହିଁ । ଅପରପକ୍ଷେ ଜିଓ ‘ଏରୋସ ଇଣ୍ଟରନ୍ୟାସନାଲ’ରେ ୫ ପ୍ରତିଶତ ଓ ‘ବାଲାଜୀ ଟେଲିଫିଲ୍ମ’ରେ ୨୫ ପ୍ରତିଶତ ଅଂଶଧନ କ୍ରୟ କରିଛି । ଜିଓ ପକ୍ଷରୁ ‘ଜିଓ ମୁଭି’ ମାଧ୍ୟମରେ ନିଜେ ଚଳଚ଼ିତ୍ର ନିର୍ମାଣରେ ପ୍ରବେଶ କରିବା ଯୋଜନା ରଖିଛି । ଜୀ ମଧ୍ୟ ଚଳଚ଼ିତ୍ର ନିର୍ମାଣରେ ଅଭିଜ୍ଞ । ନିଜ ପ୍ରସାରଣ ମଞ୍ଚର ଗୁରୁତ୍ୱ ବୃଦ୍ଧି ନିମନ୍ତେ ଏମାନେ ଯଦି ‘ନେଟଫ୍ଳିକ୍ସ’ର ଉଦାହରଣ ଗ୍ରହଣ କରନ୍ତି ତେବେ ଭାରତୀୟ ଚଳଚ଼ିତ୍ରରେ ଗୁଣବତ୍ତା ବିକାଶ ନିମନ୍ତେ ପ୍ରଶସ୍ତ ସୁଯୋଗ ସୃଷ୍ଟି ହୋଇପାରିବ । ବିଶେଷ କରି ଆଞ୍ଚଳିକସ୍ତରରେ ବ୍ୟବସାୟ ପ୍ରସାର ଅବସରରେ ଭାରତୀୟ ଭାଷାଗୁଡ଼ିକରେ ଚଳଚ଼ିତ୍ର ନିର୍ମାଣ କ୍ଷେତ୍ରରେ ସୃଜନ ବିକାଶ ଲାଗି ପ୍ରୋତ୍ସୋହନ ମିଳିବ ।


 

ଜୀ ଅଧ୍ୟକ୍ଷ ସୁଭାଷ ଚ଼ନ୍ଦ୍ର ଭାରତୀୟ ଟେଲିଭିଜନ ପ୍ରସାରଣକୁ ଗୁରୁତ୍ୱ ଦେଉଛନ୍ତି । ସେ କହୁଛନ୍ତି ଯେ ୨୦୧୮ ସୁଦ୍ଧା ଦେଶର ୯୫ ପ୍ରତିଶତ ଟେଲିଭିଜନ ଉପଭୋକ୍ତାଙ୍କ ପରିବାରରେ ମାତ୍ର ଗୋଟିଏ ସେଟରେ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୁଏ ।‘ଓଟିଟି’ ବ୍ୟବହାର ଲାଗି ଉପଭୋକ୍ତାମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ଭାରତର ପାରମ୍ପରିକ ଟେଲିଭିଜନ ପ୍ରସାରଣ ବ୍ୟବସାୟର ନବୀକରଣ ସମ୍ଭବ, କିନ୍ତୁ ପ୍ରସାରଣ ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ଅସଂଭବ । ହିସାବ କରି କୁହାଯାଉଛି ଯେ କେବଲ ଟେଲିଭିଜନ ପ୍ରସାରଣ ନିମନ୍ତେ ସାଧାରଣ ଉପଭୋକ୍ତା ମାସିକ ୨୦୦ ରୁ ୨୫୦ ଖର୍ଚ୍ଚ କରୁଥିବା ସ୍ଥଳେ ‘ଓଟିଟି’ ବ୍ୟବହାର ଲାଗି ଫିକ୍ସଡ଼ ବ୍ରଡ଼ବ୍ୟାଣ୍ଡ ସଂଯୋଗ ମାସିକ ୮୦୦ ରୁ ୧,୦୦୦ ଗ୍ରାହକ ଚ଼ାନ୍ଦା ଆବଶ୍ୟକ । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ଆର୍ଥିକ ସ୍ଥିତି ଅଧିକ ଖର୍ଚ୍ଚ ଅନୁକୂଳ ହେବନାହିଁ ।


 

ଜୀ ନିବେଶରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ଘଟଣାରୁ ସ୍ୱଷ୍ଟ  ହୋଇଛି ଯେ ଭାରତରେ ‘ଓଟିଟି’ ବଜାର ମଙ୍ଗ ଧରିଲାଣି ଏବଂ ସ୍ଥାନୀୟ ଗଣମାଧ୍ୟମ ମଞ୍ଚଗୁଡ଼ିକ ସେଦିଗରେ ଯତ୍ନବାନ ହେବା ଆରମ୍ଭ କରିଛନ୍ତି । ତେବେ ପାରମ୍ପରିକ କେବଲ ଟେଲିଭିଜନ ବ୍ୟବସାୟ ମଜଭୁତ ରହିବ ଏବଂ ସେଥିଲାଗି କାର୍ଯ୍ୟକ୍ରମ ପ୍ରଯୋଜନାରେ ଗୁଣାତ୍ମକ ବିକାଶ ସମ୍ଭବ । ଅନ୍ତଃରାଷ୍ଟ୍ରୀୟ ଟେଲିଭିଜନ ସେବା ଭାରତରେ ଲୋକପ୍ରିୟତା ହାସଲ କରୁଥିବା ଅବସରରେ ସ୍ଥାନୀୟ ପ୍ରଯୋଜକମାନେ ମଧ୍ୟ ସେମାନଙ୍କ ସହ ମୁକାବିଲା କରିବା ନିମନ୍ତେ ସୀମାପାର ବ୍ୟବସାୟରେ ମନୋନିବେଶ କରିବେ । ସର୍ବୋପରି ପରିବର୍ତ୍ତିତ ଟେଲିଭିଜନ ପ୍ରସାରଣ ଓ ସମ୍ଭାବ୍ୟ ‘ଓଟିଟି’ ପରିବେଶ ଓଡ଼ିଆ ଭଳି ଆଞ୍ଚଳିକ ଭାଷାଗୁଡ଼ିକର ସର୍ଜନଶୀଳତା ବିକାଶଲାଗି ଅନୁକୂଳ ପରିବେଶ ସୃଷ୍ଟିରେ ସହାୟକ ହେବ ।         


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ନଭେମ୍ୱର ୨୦୧୮


ତଥ୍ୟ:


‘The line between media and tech are getting blurred’ Interview with Subhash Chandra by Vanita Kohil – Khandekar. Business Standard (Bhubaneswar Edition). November 15, 2018


 

Das Gupta, Surajeet. Zee and Jio aim for a slice of each other’s pil. Business Standard (Bhubaneswar Edition). November 15, 2018


 

Kohli – Khandekar, Vanita. The Netflix, Disney, Zee effect. Business Standard (Bhubaneswar Edition). November 21, 2018

'ଜୀ' ଓ 'ସୋନୀ' ମିଶ୍ରଣ

ମହାମାରୀ-ପର ଭାରତୀୟ ଗଣମାଧ୍ୟମ ପରିବେଶରେ ଲୋକପ୍ରିୟ ଟେଲିଭିଜନ ପ୍ରସାରକ ‘ଜୀ’ର ‘ସୋନୀ’ ସହ ମିଶ୍ରଣ ମାହାମାରୀ ପ୍ରଭାବିତ ବ୍ୟାବସାୟିକ ପୁନଃଗଠନର ପ୍ରଥମ ଦୃଷ୍ଟାନ୍ତ ଭାବେ ଗ୍ରହଣ କରାଯାଇପାରେ । ‘ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜର୍ସ ଲିମିଟେଡ଼’ର ପରିଚାଳନା ସମିତି ୨୦୨୧ ସେପ୍ଟେମ୍ୱର ଶେଷାର୍ଦ୍ଧରେ ‘ସୋନୀ ପିକଚ଼ର୍ସ ନେଟୱାର୍କ ଇଣ୍ଡିଆ’ ସହ ମିଶ୍ରଣ ନିମନ୍ତେ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଥିଲେ ।


 

ଦେଶର ପ୍ରଥମ ଘରୋଇ ଟେଲିଭିଜନ ପ୍ରସାରକ ‘ଜୀ’ ୧୯୯୨ ମସିହାରେ ଗଣମାଧ୍ୟମ ଉଦ୍ୟୋଗୀ ସୁଭାଷ ଚନ୍ଦ୍ରାଙ୍କ ତତ୍ତ୍ୱାବଧାନରେ ଆତ୍ମପ୍ରକାଶ କରିଥିଲା । ବ୍ୟାବସାୟିକ ଋଣ ୧୩ ହଜାର କୋଟି ଟଙ୍କା ପରିଶୋଧ କରିବା ନିମନ୍ତେ ୨୦୧୯ରେ ନିଜ ଅଂଶଧନ ବିକ୍ରୀ କରି ପ୍ରତିଷ୍ଠାତା ଓହରିଯିବା ପରେ ‘ଜୀ’ ପକ୍ଷରେ ନିଜ ପ୍ରତିଯୋଗୀ ଟେଲିଭିଜନ ଚ୍ୟାନେଲ ସହ ମିଶ୍ରଣ ଏହାର ଇତିହାସରେ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ।


 

ଟେଲିଭିଜନ ବ୍ୟବସାୟରେ ୨୦୨୧ ସୁଦ୍ଧା ବାର୍ଷିକ ୭,୭୩୦ କୋଟି ଟଙ୍କା ଆୟ କରୁଥିବା ‘ଜୀ’ ଭାରତର ଦ୍ୱିତୀୟ ବୃହତ ପ୍ରସାରକ ମାନ୍ୟତା ପାଉଥିବା ସ୍ଥଳେ ତୃତୀୟ ବୃହତ ‘ସୋନୀ’ର ବାର୍ଷିକ ଆୟ ପ୍ରାୟ ୫,୯୦୦ କୋଟି । ଦୁଇ ପ୍ରସାରକଙ୍କ ପ୍ରସ୍ତାବିତ ମିଶ୍ରଣ ପରେ ସୋନୀ-ଜୀର ବାର୍ଷିକ ଆୟ ୧୩,୬୩୦ କୋଟିରେ ପହଞ୍ଚିବ । ପ୍ରଥମ ସ୍ଥାନ ଅଧିକାର କରୁଥିବା ଡ଼ିସନୀ-ଷ୍ଟାରର ବାର୍ଷିକ ଆୟ ୧୪,୩୫୦ କୋଟି ।


 

ସେହିପରି ଦର୍ଶକ ସଂଖ୍ୟା ଦୃଷ୍ଟିରୁ ଡ଼ିସନୀ-ଷ୍ଟାର ୨୧ ପ୍ରତିଶତ, ‘ଜୀ’ ୧୯ ପ୍ରତିଶତ ଓ ‘ସୋନୀ’ ୯ ପ୍ରତିଶତ ଅକ୍ତିଆର କରିଥାନ୍ତି । ‘ଜୀ’ ଓ ‘ସୋନୀ’ ମିଶ୍ରଣ ପରେ ଏମାନଙ୍କ ଦ୍ୱାରା ପ୍ରସାରିତ କାର୍ଯ୍ୟକ୍ରମର ଦର୍ଶକ ଦେଶର ସମୁଦାୟ ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ୨୮ ପ୍ରତିଶତ ହିସାବ କରାଯିବ । ଅତଏବ ମୋଟ ଦର୍ଶକ ଦୃଷ୍ଟିରୁ ସୋନୀ-ଜୀ ଡ଼ିସନୀ-ଷ୍ଟାରକୁ ଅତିକ୍ରମ କରି ଶୀର୍ଷ ସ୍ଥାନରେ ପହଞ୍ଚିବେ ।


 

ମିଶ୍ରଣ ରାଜିନାମା ଅନୁଯାୟୀ ‘ଜୀ’ ନୂଆ ବ୍ୟବସାୟରେ ୪୭ ପ୍ରତିଶତ ଏବଂ ‘ସୋନୀ’ ୫୩ ପ୍ରତିଶତ ଅଂଶଧନ ଅଧିକାର କରିବେ । ବ୍ୟବସାୟ ପରିଚାଳନା ପରିଷଦ ‘ବୋର୍ଡ ଅଫ ଡ଼ାଇରେକ୍ଟରର୍ସ’ ଗଠନରେ ‘ସୋନୀ’ର ଆଧିପତ୍ୟ ରହିବା ସ୍ଥଳେ ‘ଜୀ’ର ପରିଚାଳନା ନିର୍ଦ୍ଦେଶକ ପୁନିତ ଗୋଏଙ୍କା ମିଶ୍ରିତ ବ୍ୟବସାୟରେ ମଧ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ତୁଲାଇବେ । ମିଶ୍ରଣ ପ୍ରକ୍ରିୟା ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ନହେବା ସର୍ତ୍ତରେ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କ ପରିବାରକୁ ‘ସୋନୀ’ ପକ୍ଷରୁ ଦୁଇ ପ୍ରତିଶତ ଅଂଶଧନ ପ୍ରତ୍ୟାର୍ପଣ କରାଯାଇ ସେମାନଙ୍କ ମୋଟ ଅଂଶଧନ ଚାରି ପ୍ରତିଶତରେ ପହୁଞ୍ଚାଇବାକୁ ଉଦ୍ୟମ କରାଯିବ । ଫଳରେ ‘ସୋନୀ’ ୫୧ ପ୍ରତିଶତ ଓ ‘ଜୀ’ ୪୯ ପ୍ରତିଶତ ଅଂଶଧନ ଭାଗୀଦାର ହେବେ । ସୁଭାଷ ଚନ୍ଦ୍ରା ପରିବାରଙ୍କ ଅଂଶଧନ ଭବିଷ୍ୟତରେ ୨୦ ପ୍ରତିଶତରୁ ଉର୍ଦ୍ଧ୍ୱ ସୀମା ଅତିକ୍ରମ କରିବ ନାହିଁ ।


 

ପ୍ରସ୍ତାବିତ ମିଶ୍ରଣ ନିମନ୍ତେ ‘କମ୍ପିଟେସନ କମିଶନ ଅଫ ଇଣ୍ଡିଆ’ ଓ ‘ସେବି’ର ମଞ୍ଜୁରି ଆବଶ୍ୟକ । ପ୍ରାଥମିକ ମିଶ୍ରଣ ପ୍ରକ୍ରିୟା ସାରିବା ନିମନ୍ତେ ୯୦ ଦିନର ମହଲତ ଉଭୟପକ୍ଷ ସ୍ୱୀକାର କରିଛନ୍ତି । ‘ଜୀ’ ଓ ‘ସୋନୀ’ର ମିଶ୍ରଣ ସମ୍ୱାଦ ପ୍ରଘଟ ପରେ ସେୟାର ବଜାରରେ ଅନୁକୂଳ ପ୍ରଭାବ ପରିଲକ୍ଷିତ ହୋଇଥିଲା । ‘ଜୀ’ର ସେୟାର ମୂଲ୍ୟ ୨୮୧ ଟଙ୍କାରୁ ତତ୍ କ୍ଷଣାତ ୩୫୦ ଟଙ୍କା, ପ୍ରାୟ ୩୨ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ଅନ୍ୟାନ୍ୟ ଟେଲିଭିଜନ ଚ୍ୟାନେଲ ଏନଡ଼ିଟିଭିର ସେୟାର ମୂଲ୍ୟରେ ୧୦ ପ୍ରତିଶତ, ଟିଭି ୧୮ ଓ ବାଲାଜୀ ଟେଲିଫିଲ୍ମିସରେ ୬ ପ୍ରତିଶତରୁ ଅଧିକ ବୃଦ୍ଧି ହିସାବ କରାଯାଇଥିଲା । ଅର୍ଥାତ, ସାମଗ୍ରିକଭାବେ ଏହି ଭଳି ବ୍ୟାବସାୟିକ ପୁନଃଗଠନକୁ ନିବେଶକମାନେ ସ୍ୱାଗତ କରିଥିଲେ ।


 

ଗଣମାଧ୍ୟମ ସମୀକ୍ଷକମାନଙ୍କ ବିଶ୍ଳେଷଣରେ ପ୍ରଥମତଃ, ‘ଜୀ’ ଓ ‘ସୋନୀ’ର ମିଶ୍ରଣ ଉଦାହରଣ ଭାରତୀୟ ଗଣମାଧ୍ୟମ ପରିବେଶରେ ବ୍ୟାପକ ପୁନଃନିର୍ଦ୍ଧାରଣର ସଙ୍କେତ ପ୍ରଦାନ କରେ । ଗଣମାଧ୍ୟମ ଶିଳ୍ପର ବହୁ ତଥ୍ୟ ଗୋପନ ରଖାଯାଉଥିବା ହେତୁ ବ୍ୟବସାୟର ସ୍ଥିତାବସ୍ଥା ସହଜରେ ପରଖି ହୁଏନାହିଁ । କିନ୍ତୁ ପ୍ରଭାବ ଶକ୍ତ ହେବାପରେ ପ୍ରଘଟନ ହୋଇଥାଏ । ଭାରତୀୟ ଗଣମାଧ୍ୟମ ଶିଳ୍ପରେ ୨୦୦୩ରୁ ୨୦୦୮ ମଧ୍ୟରେ ବ୍ୟାପକ ନିବେଶ ଏବଂ ବହୁସଂଖ୍ୟକ ନୂତନ ମଞ୍ଚ ଆରମ୍ଭ ହୋଇଥିଲା । ଏଥିମଧ୍ୟରେ ଦୁର୍ବଳ ନିବେଶ ସଂଖ୍ୟା ଅଧିକ ।


 

ତେବେ ୨୦୦୮ରେ ମାର୍କିନ ଅର୍ଥନୀତିରେ ଅଚାନକ ମାନ୍ଦାବସ୍ଥାର ପ୍ରଭାବ ଆନ୍ତର୍ଜାତିକସ୍ତରରେ ଅନୁଭୂତ ହେବା ଅବସରରେ ସେଥିରୁ ଭାରତୀୟ ଗଣମାଧ୍ୟମ ବ୍ୟବସାୟର ଅର୍ଥନୀତି ମଧ୍ୟ ବାଦ ପଡ଼ିନଥିଲା । ଅବଶ୍ୟ ଅବକ୍ଷୟର ଧାରା ଅପେକ୍ଷାକୃତ ନରମ ଥିବା ଏବଂ ଭାରତୀୟ ଗଣମାଧ୍ୟମ ବ୍ୟବସାୟ ବହୁମୁଖୀ ଆୟ ଆଶ୍ରିତ ଥିବା ହେତୁ ପ୍ରକାଶ୍ୟରେ ମାନ୍ଦାବସ୍ଥା ଠଉରାଇ ଯାଇପାରୁନଥିଲା । ମହାମାରୀ-ପୂର୍ବାବସ୍ଥାରେ ଦୁର୍ବଳ ଅର୍ଥନୀତି ମହାମାରୀ କାଳରେ ତ୍ୱରାନ୍ୱିତ ହୋଇ ମହାମାରୀ-ପର ଅବସ୍ଥାରେ ଜରୁରି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରୁଛି ।


 

ଦ୍ୱିତୀୟତଃ, ‘ଜୀ’ ଓ ‘ସୋନୀ’ର ମିଶ୍ରଣରେ ଯେଉଁ ପରମ୍ପରା ଆରମ୍ଭ ହୋଇଛି ତାହା ନିକଟ ଭବିଷ୍ୟତରେ ଜାତୀୟ ଓ ଆଞ୍ଚଳିକସ୍ତରରେ ବହୁ ଗଣମାଧ୍ୟମ ବ୍ୟବସାୟ ଏକତ୍ରୀକରଣ ‘କନସୋଲିଡ଼େସନ’ରେ ପ୍ରତିଫଳିତ ହେବ । ମହାମାରୀ ପ୍ରଭାବର ମୁକାବିଲା କରିବା ନିମନ୍ତେ ବିଭିନ୍ନ ମଞ୍ଚ କେବଳ ଖର୍ଚ୍ଚକାଟକୁ ଏକ ମାତ୍ର ଅସ୍ତ୍ରରୂପେ ବ୍ୟବହାର କରୁଥିବା ସ୍ଥଳେ ବାସ୍ତବକ୍ଷେତ୍ରରେ ବିଘ୍ନ ଅତିକ୍ରମ କରିବା ପାଇଁ ଅଧିକ ନିବେଶ ଆବଶ୍ୟକ କରିଥାଏ । ନିବେଶ ନିମନ୍ତେ ଆର୍ଥିକ ପ୍ରତିବନ୍ଧକ ଲାଗି ରହିଲେ ଏକତ୍ରୀକରଣ କିମ୍ୱା ଅଧିଗ୍ରହଣ ବିନା ଅନ୍ୟ ବିକଳ୍ପ ତତକ୍ଷଣାତ ଫଳବତୀ ହେବା ସମ୍ଭବପର ନୁହଁ । ଅପରପକ୍ଷେ ଦୁର୍ବଳ ଗଣମାଧ୍ୟମ ମଞ୍ଚ ଦୀର୍ଘଦିନ ବଞ୍ଚିରହିପାରେ ନାହିଁ ।


 

ଉଦାହରଣରେ, ମହାମାରୀ-ପର ଅବସ୍ଥାରେ ଭାରତୀୟ ମୁଦ୍ରଣ ଓ ଟେଲିଭିଜନ ସମ୍ୱାଦ ମଞ୍ଚରେ ବିଜ୍ଞାପନ ଆୟ ୩୫ ରୁ ୪୦ ପ୍ରତିଶତ କମି ଆସିଥିବା ଅବସରରେ ‘ଆଦାନୀ’ ଭଳି ବୃହତ ବ୍ୟାବସାୟିକ ପ୍ରତିଷ୍ଠାନ ଏନଡ଼ିଟିଭି ଟେଲିଭିଜନ ଚ୍ୟାନେଲକୁ ଅଧିଗ୍ରହଣ କରିନେଉଥିବା ଗୁଜବ ପ୍ରଚାରିତ ହୋଇଥିଲା । ଶେଷରେ ଏନଡ଼ିଟିଭିର ପ୍ରତିଷ୍ଠାତା ରାଧିକା ଓ ପ୍ରଣୟ ରାୟ ପ୍ରକାଶ୍ୟରେ ଏହା ଖଣ୍ଡନ କରିଥିଲେ ।


 

ଦେଶର ବୃହତ ଶିଳ୍ପ ସଂସ୍ଥା ରିଲାଏନ୍ସ, ବିରଳା ଭଳି ଆଦାନୀ ସମ୍ୱାଦମଞ୍ଚରେ ଅବତୀର୍ଣ୍ଣ ହେବା ପୂର୍ବାନୁମାନ ଜାରୀ ରହିଛି । ନିକଟରେ ସଞ୍ଜୟ ପାଗାଲିଆଙ୍କୁ ଆଦାନୀ ପ୍ରସ୍ତାବିତ ଗଣମାଧ୍ୟମ ମଞ୍ଚର ମୁଖ୍ୟ ପରିଚାଳକ ତଥା ମୁଖ୍ୟ ସଂପାଦକଭାବେ ନିଯୁକ୍ତ କରିଛି । ବହୁ ପାରମ୍ପରିକ ସମ୍ୱାଦ ମଞ୍ଚ ନିବେଶ ଅଭାବରୁ ଦୁର୍ବଳ ଅବସ୍ଥାରେ ପହଞ୍ଚିଥିବା ଏବଂ ବୈଦେଶିକ ସମ୍ୱାଦ ମଞ୍ଚଗୁଡ଼ିକ ଭାରତରେ ବ୍ୟବସାୟ ଆରମ୍ଭ ନିମନ୍ତେ ପ୍ରସ୍ତୁତ ହେଉଥିବା ଅବସରରେ ଆଦାନୀ ଏହି ସବୁ ସୁଯୋଗ ହାତଛଡ଼ା ନକରିପାରେ ବୋଲି ଆଲୋଚ଼ନା ହେଉଛି ।


 

ଗଣମାଧ୍ୟମ ମଞ୍ଚଗୁଡ଼ିକର ଏକତ୍ରୀକରଣ ଓ ଅଧିଗ୍ରହଣ ଫଳରେ ରୁଗଣପ୍ରାୟ ମଞ୍ଚଗୁଡ଼ିକରେ ପୁନଃନିବେଶ ତଥା ସଂସ୍କାର ଆଶା ତୃତୀୟ ମୁଖ୍ୟ ପରିବର୍ତ୍ତନ । ମୁମ୍ୱାଇସ୍ଥିତ ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକନୋମି’ର ଏକ ହିସାବ ଅନୁଯାୟୀ ସେପ୍ଟେମ୍ୱର ୨୦୧୬ ରୁ ୨୦୨୧ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଗଣମାଧ୍ୟମ ପରିସରରେ ୭୮ ପ୍ରତିଶତ ନିଯୁକ୍ତି ହାନୀ ଘଟିଛି । ସେପ୍ଟେମ୍ୱର ୨୦୧୬ ସୁଦ୍ଧା ୧୦ ଲକ୍ଷ ୩୦ ହଜାର କର୍ମଚାରୀ ଥିବା ସ୍ଥଳେ ସେପ୍ଟେମ୍ୱର ୨୦୨୧ରେ ଦୁଇ ଲକ୍ଷ ୩୦ ହଜାରକୁ କମି ଆସିଛି । ଏହା ଗଣମାଧ୍ୟମର ଗୁଣବତ୍ତା ପ୍ରତି ବିପଦ ସୃଷ୍ଟି କରିଛି ।


 

ଗଣମାଧ୍ୟମ, ମୁଖ୍ୟତଃ ସମ୍ୱାଦ ମଞ୍ଚ ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ସମ୍ୱାଦ ମଞ୍ଚ ଦୁର୍ବଳ ହେଲେ ତାହାର ସିଧାସଳଖ ପ୍ରଭାବ ପ୍ରଶାସନ ଓ ସରକାର ଉପରେ ପଡ଼ିଥାଏ । ସମାଜ ଥରେ ବିଶୃଙ୍ଖଳିତ ହୋଇପଡ଼ିଲେ ତାହାକୁ ସଜାଡ଼ିବା କାଠିକର ପାଠ । ଏଥିପ୍ରତି ନୀତିନିର୍ଦ୍ଧାରକମାନେ ସଜାଗ ରହିବା ଏକାନ୍ତ ଆବଶ୍ୟକ ।


 

ମହାମାରୀ ଗଣମାଧ୍ୟମ ପରିବେଶରେ ବିଘଟନ ସୃଷ୍ଟି କରିଥିଲେହେଁ ଏହାର ସକାରାତ୍ମକ ଦିଗ ବି ରହିଛି । ଉଭୟ ଜାତୀୟ ଓ ଆଞ୍ଚଳିକସ୍ତରରେ ବିଗତ ଦୁଇ ଦଶକରେ ଗଣମାଧ୍ୟମ କ୍ଷେତ୍ରରେ ଯେଉଁ ଅବାଞ୍ଛିତ ସଂପ୍ରସାରଣ ହୋଇଥିଲା ତାହା ମହାମାରୀ-ପର ଅବସ୍ଥାରେ ଏକତ୍ରୀକରଣ ଓ ଅଧିଗ୍ରହଣ ଦ୍ୱାରା ସଂକୁଚିତ କରିବା ସୁଯୋଗ ଉପନୀତ । ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ବୈଷୟିକ ପ୍ରଗତିର ପ୍ରତିଯୋଗିତା ମଧ୍ୟ କରିବାକୁ ପଡୁଛି । ଏହି ଅବସରରେ ଗଣମାଧ୍ୟମରେ ଉତ୍କର୍ଷହିଁ ଏକମାତ୍ର ସଞ୍ଜିବନୀ ବିଶ୍ୱାସ କରାଯାଇପାରେ ।          


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ସେପ୍ଟେମ୍ୱର ୨୦୨୧


ତଥ୍ୟ:


Chatterjee, Dev. Zee entertainment to merge with Sony. Business Standard (Bhubaneswar Edition). September 23, 2021.


 

Kohli-Khandarkar, Vanita. Zee-Sony merger : Making of a media behemoth. Business Standard (Bhubaneswar Edition). September 23, 2021


 

Koraonkar, Deepak. ZEEL rally rubs off on other media stocks. Business Standard  (Bhubaneswar Edition). September 23, 2021.


 

https://mobile.twitter.com/qunindyoc/status/1440149474236526601?s=21

ଜୀ- ଇନଭେସ୍କୋ ବିବାଦ

ଭାରତରେ ପ୍ରଥମ ଘରୋଇ ଟେଲିଭିଜନ ପ୍ରସାରକ ‘ଜୀ’ ମହାମାରୀ-ପର ଗଣମାଧ୍ୟମ ବ୍ୟବସାୟରେ ସନ୍ତୁଳନ ରକ୍ଷା କରିବାରେ ସମସ୍ୟାର ସମ୍ମୁଖୀନ ହେବା ହେତୁ ଅନ୍ୟତମ ପ୍ରସାରକ ‘ସୋନୀ’ ସହ ମିଶ୍ରଣ ନିମନ୍ତେ ୨୨ ସେପ୍ଟେମ୍ୱର ୨୦୨୧ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଘଟଣାର ପୂର୍ବରୁ ଓ ପରେ ମାସକ ମଧ୍ୟରେ ‘ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜର୍ସ ଲିମିଟେଡ଼’ର ପରିଚାଳନାକୁ କେନ୍ଦ୍ରକରି ବିବଦମାନ ପରିବେଶ ସୃଷ୍ଟି ହୋଇଥିଲା ।


 

୧୯୯୨ରୁ ଗଠିତ ‘ଜୀ’ର ପ୍ରତିଷ୍ଠାତା ଗଣମାଧ୍ୟମ ଉଦ୍ୟୋଗୀ ସୁଭାଷ ଚ଼ନ୍ଦ୍ରା ମହାମାରୀ-ପୂର୍ବାବସ୍ଥାରେ ବ୍ୟାବସାୟିକ ସଂକଟର ସମ୍ମୁଖୀନ ହେବା ଫଳରେ ୨୦୧୯ରେ ୧୩ ହଜାର କୋଟି ଟଙ୍କା ଋଣ ପରିଶୋଧ କରିବା ନିମନ୍ତେ ‘ଜୀ’ରେ ନିଜ ଅଂଶଧନ ବିକ୍ରୀ କରି ଓହରି ଯାଇଥିଲେ । କମ୍ପାନୀରେ ତାଙ୍କରି ଅଂଶଧନ ଚ଼ାରି ପ୍ରତିଶତକୁ ଖସି ଆସିଥିବା ସ୍ଥଳେ ମାର୍କିନ ନିବେଶକ ଇନଭେସ୍କୋ ଓ ଏହାର ସମର୍ଥକ ଓଏଫଆଇ ଗ୍ଳୋବାଲ ଚୀନ ଫଣ୍ଡ ୧୮ ପ୍ରତିଶତ ଅଂଶଧନ ଅଧିକାରୀ ହେଲେ । ‘ଜୀ’ ଓ ‘ସୋନୀ’ର ମିଶ୍ରଣକୁ ସେମାନେ ବିରୋଧ କରିବା ଫଳରେ ମାମଲା କମ୍ପାନୀ ନିୟାମକ ଓ ନ୍ୟାୟାଳୟ ସମୀକ୍ଷାକୁ ଯାଇଥିଲା ।


 

ଏହି ବିବାଦ ଉପୁଜିବା କେତେଗୋଟି କାରଣ ଉଲ୍ଲେଖନୀୟ । ପ୍ରଥମତଃ, ‘ଜୀ ବ୍ୟାବସାୟିକସ୍ତରରେ ନୈରାଶ୍ୟଜନକ ପରିସ୍ଥିତି ସାମ୍ନା କରିନଥିଲା । କିନ୍ତୁ ଏହାର ପ୍ରତିଷ୍ଠାତା ନିବେଶକ ସୁଭାଷ ଚନ୍ଦ୍ରାଙ୍କ ଅନ୍ୟାନ୍ୟ ବ୍ୟବସାୟରେ କ୍ଷତି ହେତୁ ‘ଜୀ’ର ଅଂଶଧନ ବନ୍ଧକ ରଖି ସଂଗ୍ରହ କରିଥିବା ଋଣ ଭାରରୁ ମୁକ୍ତି ପାଇବା ନିମନ୍ତେ ନିଜ ଅଂଶଧନ ବିକ୍ରୀ କରିବାକୁ ବାଧ୍ୟ ହୋଇଥିଲେ । ସୁଭାଷ ଚ଼ନ୍ଦ୍ରାଙ୍କ ‘ଏସେଲ ଗୃପ’ କୋଠାବାଡ଼ି ନିର୍ମାଣ, ଶିକ୍ଷା, ଅର୍ଥ ଓ କୃଇଜ ଲାଇନସ ଭଳି ବହୁମୁଖୀ ବ୍ୟବସାୟରେ ନିବେଶ କରିଥିଲା । କୁହାଯାଏ ଯେ ‘ଜୀ’ରେ ତାଙ୍କରି ଅଂଶଧନ ୪୦ ପ୍ରତିଶତରୁ ପାଞ୍ଚ ପ୍ରତିଶତରୁ କମ ସ୍ତରକୁ ଆସିଯାଇଥିଲା ।


 

ଦ୍ୱିତୀୟତଃ, ବ୍ୟାବସାୟିକ କ୍ଷତି ସମ୍ମୁଖୀନ ହୋଇ ପ୍ରତିଷ୍ଠାତା ସୁଭାଷ ଚ଼ନ୍ଦ୍ରା ଓହରି ଯାଇଥିଲେ ସୁଦ୍ଧା ତାଙ୍କରି ପୁତ୍ର ପୁନିତ ଗୋଏଙ୍କା ‘ଜୀ’ର ମୁଖ୍ୟ ପରିଚାଳକ ‘ସିଇଓ’ ଭାବେ ଅଧିଷ୍ଠିତ ରହି ଆସିଥିଲେ । ‘ଜୀ’ର ‘ସୋନୀ’ ସହ ମିଶ୍ରଣ ପରେ ମଧ୍ୟ ପ୍ରସ୍ତାବିତ ରାଜିନାମା ଅନୁଯାୟୀ ପୁନିତ ହିଁ ନୂତନ କମ୍ପାନୀର ମୁଖ୍ୟ ପରିଚାଳକ ପଦବୀରେ ରହିବା ସ୍ଥିରୀକୃତ ହୋଇଥିଲା ।


 

ତୃତୀୟତଃ, ଇନଭେସ୍କୋ ଓ ଚୀନ ଫଣ୍ଡ ମିଳିତ ଭାବେ ‘ଜୀ’ର ସର୍ବାଧିକ ଅଂଶଧନ ନିବେଶକଭାବେ କମ୍ପାନୀର ସୁପରିଚାଳନା ନିମନ୍ତେ ତିନିଜଣ ପରିଚାଳନା ପରିଷଦ ନିର୍ଦ୍ଦେଶକଙ୍କୁ ହଟାଇ ନୂତନ ଭାବେ ନିଜ ସମର୍ଥିତ ଛଅ ଜଣଙ୍କୁ ନିଯୁକ୍ତ କରିବା ଲାଗି ୧୧ ସେପ୍ଟେମ୍ୱର ୨୦୨୧ରେ ପତ୍ର ଲେଖିଥିଲେ । ଇନଭେସ୍କୋ ହଟାଇବାକୁ ଚାହୁଁଥିବା ତିନିଜଣଙ୍କ ମଧ୍ୟରେ ପୁନିତ ଗୋଏଙ୍କା ସାମିଲ ଥିଲେ । ଅର୍ଥାତ, ମାତ୍ର ଚାରି ପ୍ରତିଶତ ଅଂଶଧନ ଅଧିକାରୀ କମ୍ପାନୀର ପ୍ରତିଷ୍ଠାତା ପରିବାର ଓ ସମର୍ଥକଙ୍କୁ ପରିଚାଳନା ପରିଷଦରୁ ସଂପୂର୍ଣ୍ଣ ବାଦ ଦେବା ନିମନ୍ତେ ଦାବୀ ଜୋର ଧରିଥିଲା ।


 

ଇନଭେସ୍କୋର ପତ୍ର ପାଇବା ପରେ ୧୩ ସେପ୍ଟେମ୍ୱର ୨୦୨୧ରେ ପୁନିତ ଗୋଏଙ୍କାଙ୍କୁ ଛାଡ଼ି ଅନ୍ୟ ଦୁଇ ଜଣ ନିର୍ଦ୍ଦେଶକ ଇସ୍ତଫା ଦେଇଥିଲେ । ସେମାନେ ‘ଜୀ’ ପରିଚାଳନା ସହ ଦୀର୍ଘ ଦିନରୁ ସମ୍ପୃକ୍ତ ଏବଂ ବିଭିନ୍ନ କାରଣ ଦର୍ଶାଯାଇ ସେମାନଙ୍କ ନିଯୁକ୍ତି କମ୍ପାନୀ ଆଇନ ଉଲଂଘନ ଅଭିଯୋଗ କରାଯାଇଥିଲା । ଅପରପକ୍ଷେ ପୁନିତ ଗୋଏଙ୍କା ପୂର୍ବବତ ମୁଖ୍ୟ ପରିଚାଳକ ପଦବୀରେ ରହିଲେ । ଅନ୍ୟାନ୍ୟ ଦୋଷାରୋପ ମଧ୍ୟରେ କମ୍ପାନୀର ବାର୍ଷିକ ସାଧାରଣ ପରିଷଦର ମଞ୍ଜୁରୀ ବିନା ତାଙ୍କରି ଦରମା ୪୬ ପ୍ରତିଶତ ବୃଦ୍ଧି କରାଯାଇଥିବା ଦର୍ଶାଯାଇଥିଲା । ଆର୍ଥିକ ବର୍ଷ ୨୦୨୦-୨୧ରେ ‘ଜୀ’ର କୌଣସି କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇନଥିଲା ।


 

ଚ଼ତୁର୍ଥତଃ, ଏହି ବିବଦମାନ ପରିବେଶରେ ୨୨ ସେପ୍ଟେମ୍ୱର ୨୦୨୧ରେ ସାଧାରଣ ପରିଷଦ ନିଷ୍ପତ୍ତି ଅନୁଯାୟୀ ‘ଜୀ’ ଓ ‘ସୋନୀ’ ସହ ମିଶ୍ରଣ ଘୋଷିତ ହୋଇଥିଲା । ପ୍ରସ୍ତାବିତ ମିଶ୍ରଣ ରାଜିନାମାରେ ‘ଜୀ’ ନୂଆ ବ୍ୟବସାୟରେ ୪୭ ପ୍ରତିଶତ ଏବଂ ‘ସୋନୀ’ ୫୩ ପ୍ରତିଶତ ଅଂଶଧନ ଅଧିକାର କରିବା ପ୍ରାବଧାନ ରହିଥିଲା ।


 

ନୂତନ କମ୍ପାନୀ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ନହେବା ସର୍ତ୍ତରେ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କ ପରିବାରକୁ ‘ସୋନୀ’ ପକ୍ଷରୁ ଦୁଇ ପ୍ରତିଶତ ଅଂଶଧନ ପ୍ରତ୍ୟାର୍ପଣ କରାଯିବା ସର୍ତ୍ତ ରହିଲା । ଫଳରେ ‘ସୋନୀ’ ୫୧ ପ୍ରତିଶତ ଓ ‘ଜୀ’ ୪୯ ପ୍ରତିଶତ ଅଂଶଧନ ଭାଗୀଦାର ହେବେ । ସୁଭାଷ ଚନ୍ଦ୍ରାଙ୍କ ପାରିବାରିକ ଅଂଶଧନ ଭବିଷ୍ୟତରେ ୨୦ ପ୍ରତିଶତରୁ ଉର୍ଦ୍ଧ୍ୱ ସୀମା ଅତିକ୍ରମ କରିବ ନାହିଁ ।

 

୧୧ ଅକ୍ଟୋବର ୨୦୨୧ରେ ଇନଭେସ୍କୋ ପକ୍ଷରୁ ‘ଜୀ’-‘ସୋନୀ’ ମିଶ୍ରଣ ରାଜିନାମା ସାଧାରଣ ନିବେଶକଙ୍କ ସ୍ୱାର୍ଥରେ ପରିପନ୍ଥୀ ଅଭିଯୋଗ କରାଯାଇ ପତ୍ର ଲେଖାଯାଇଥିଲା । ଇନଭେସ୍କୋ ପକ୍ଷରୁ ୧୧ ସେପ୍ଟେମ୍ୱର ୨୦୨୧ରେ ଜରୁରୀ ସାଧାରଣ ପରିଷଦ ବୈଠକ ଡ଼ାକିବା ଦାବୀକୁ ‘ଜୀ’ ପରିଚାଳନା ପରିଷଦ ଅକ୍ଟୋବର ପହିଲା ୨୦୨୧ରେ ଆଗ୍ରହ୍ୟ କରିଦେଇଥିଲେ । ଫଳରେ ମାମଲା ଜାତୀୟ କମ୍ପାନୀ ଲ ଟ୍ରିବ୍ୟୁନାଲ ଓ ବମ୍ୱେ ହାଇକୋର୍ଟକୁ ଯାଇଥିଲା ।


 

ପଞ୍ଚମତଃ, ୧୨ ଓ ୧୩ ଅକ୍ଟୋବର ୨୦୨୧ରେ ଯଥାକ୍ରମେ ‘ଜୀ’ ଓ ‘ଇନଭେସ୍କୋ’ ପକ୍ଷରୁ ‘ଜୀ’ ସହ ‘ରିଲାଏନ୍ସ ଇଣ୍ଡାଷ୍ଟ୍ରୀଜ ଲିମିଟେଡ଼’ ମିଶ୍ରଣ ନିମନ୍ତେ ଆଲୋଚ଼ନା ହୋଇଥିବା ତଥା ‘ଇନଭେସ୍କୋ’ ଏହାର ସୂତ୍ରଧର ସାଜିଥିବା ପ୍ରକାଶ ପାଇଥିଲା । ଆଶ୍ଚର୍ଯ୍ୟର ବିଷୟ ଏହିଯେ ଏହି ପ୍ରସ୍ତାବ ସଂପର୍କରେ ଉଭୟ ସଂସ୍ଥା ପକ୍ଷରୁ ସର୍ବସାଧାରଣରେ କୌଣସି ସୂଚନା ଦିଆଯାଇନଥିଲା । ଏପରିକି ନିୟାମକ କିମ୍ୱା ଅଦାଲତରେ ଅପିଲରେ ମଧ୍ୟ ଏହି ପ୍ରସ୍ତାବର ଆଭାସ ନଥିଲା ।


 

ସାଧାରଣ ବିଚାରରେ ‘ଜୀ’ ଅନ୍ୟ ଏକ ପ୍ରତିଯୋଗୀ ଟେଲିଭିଜନ କମ୍ପାନୀ ସହ ମିଶ୍ରଣ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଥିବା ଏବଂ ଏଥିନେଇ ବିବାଦ ଉପୁଜିଥିବା ଅବସରରେ ରିଲାଏନ୍ସ ସହ ଆଲୋଚନା ପ୍ରସଙ୍ଗ ବହୁ ପୂର୍ବରୁ ପ୍ରକାଶ କରାଯିବା ଉଚ଼ିତ ଥିଲା । ସେହିପରି ‘ଇନଭେସ୍କୋ’ ମିଶ୍ରଣରେ ନିବେଶକଙ୍କ ଲାଭକ୍ଷତି ନେଇ ପ୍ରଶ୍ନ ଉଠାଉଥିବା ବେଳେ ପୂର୍ବ ପ୍ରସ୍ତାବ ସଂପର୍କରେ ନୀରବ ରହିବା ସଦାଚାର ବିରୋଧୀ । କୁହାଯାଏ ଯେ କମ୍ପାନୀଗୁଡ଼ିକର ମିଶ୍ରଣ ପ୍ରକ୍ରିୟା ସଂପର୍କରେ ପ୍ରଘଟ ହେଲେ ସେୟାର ମୂଲ୍ୟ ବଢ଼ିଥାଏ କିମ୍ୱା ଛିଣ୍ଡି ଥାଏ । ତେବେ ନିବେଶକ, ମୁଖତଃ ଛୋଟ ନିବେଶକଙ୍କୁ କମ୍ପାନୀ ପରିଚାଳନା ସଂପର୍କରେ ଅବଗତ ନକରାଇବା ସେମାନଙ୍କ ଅର୍ଥନୀତିକୁ ପ୍ରଭାବିତ କରିବା ସୁନିଶ୍ଚିତ । ‘ଜୀ’ରେ ମୁଉଚାଲ ଫଣ୍ଡ ଓ ଆନୁଷ୍ଠାନିକ ନିବେଶକଙ୍କ ଅଂଶଧନ ପ୍ରାୟ ୭୮ ପ୍ରତିଶତ ହିସାବ କରାଯାଏ ।


 

ଏହି ବିବାଦ ଘେରରେ ‘ରିଲାଏନସ ଇଣ୍ଡଷ୍ଟ୍ରୀଜ ଲିମିଟେଡ଼’ ମିଶ୍ରଣ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିବା ସ୍ୱଷ୍ଟୀକରଣ ଦେଇଥିଲା । କୌଣସି ବିବାଦ ମଧ୍ୟକୁ ରିଲାଏନ୍ସ ପ୍ରବେଶ କରିବାକୁ ଚାହେଁ ନାହିଁ ବୋଲି କହିଥିଲା । କିନ୍ତୁ ରିଲାଏନ୍ସର ନାମ ନନେଇ ମିଶ୍ରଣ ପ୍ରକ୍ରିୟାରେ ଏହା ଭୂମିକାକୁ ସମାଲୋଚନା କରାଯାଇଥିବା ଦେଖିବାକୁ ମିଳିଥିଲା । ରିଲାଏନ୍ସ ଟେଲିଭିଜନ କମ୍ପାନୀ ‘ନେଟୱାର୍କ ୧୮’ ଓ ‘ଟିଭି ୧୮’ର ମାଲିକ ।


 

‘ଜୀ’ର କର୍ପୋରେଟ ସମସ୍ୟା ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ପ୍ରାରମ୍ଭରେ ଭାରତୀୟ ଗଣମାଧ୍ୟମ ପରିବେଶର ଏକ ସୂଚ଼କାଙ୍କଭାବେ ଗ୍ରହଣ କରାଯାଇପାରେ । ଏନ. ରାମ ଓ ଶେଖର ଗୁପ୍ତାଙ୍କ ଭଳି ଅଭିଜ୍ଞ ଗଣମାଧ୍ୟମ ବିଶ୍ଳେଷକମାନେ କହିଛନ୍ତି ଯେ ଦ୍ୱିତୀୟ ଦଶକ ଶେଷ ବେଳକୁ ସ୍ଥାନୀୟ ଗଣମାଧ୍ୟମ ଶିଳ୍ପ ଏକରକମ ଭୁଷୁଡ଼ିବା ଅବସ୍ଥାକୁ ଆସିଯାଇଥିଲା । ଶିଳ୍ପପତିମାନେ ଏହାକୁ କଳେ-ବଳେ-କୌଶଳେ ତାଳି ପକାଇ ବଞ୍ଚାଇବାକୁ ଅହରହ ସଂଗ୍ରାମ କରୁଥିବା ସ୍ଥଳେ ମହାମାରୀଜନିତ ପରିବେଶ ପରିସ୍ଥିତିକୁ ଗଭୀର ପ୍ରଭାବିତ କରିଥିଲା । ପ୍ରଶ୍ନ ଉଠେ ଗଣମାଧ୍ୟମ ଶିଳ୍ପ ପରିଚାଳନାରେ ସ୍ୱଚ୍ଛତା ଅବଲମ୍ୱନ ନକରାଗଲେ ନିବେଶକମାନେ ତ ଅର୍ଥନୀତିକ କ୍ଷତି ସହିବେ, ତେବେ ବଡ଼ ବଡ଼ ପ୍ରତିଷ୍ଠାନ ଉପରେ ଭରସା ରଖି ଥିବା ଅଗଣିତ ସାମ୍ୱାଦିକ ଓ ସମ୍ୱାଦ କର୍ମୀ ଅନିଶ୍ଚିତ ଭବିଷ୍ୟତର ଶୀକାର ହେବେ ନାହିଁ କି ?

(୧) ‘ଜୀ’ ଓ ‘ସୋନୀ’ ମିଶ୍ରଣ ସଂପର୍କରେ ବିଶଦ ବିବରଣୀ ଜାଣିବା ପାଇଁ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ:

https://tinyletter.com/pradeepmahapatra/letters/message-216

(୨)  ‘ଜୀ’ - ‘ଇନଭେସ୍କୋ’ ବିବାଦ ସଂପର୍କରେ ୬ ଅକ୍ଟୋବର ୨୦୨୧ରେ ପ୍ରସାରିତ ‘ଜୀ ନିଉସ’ର ମୁଖ୍ୟ-ସମ୍ପାଦକ ସୁଧୀର ଚୌଧୂରୀଙ୍କ ସହ ପ୍ରତିଷ୍ଠାତା ସୁଭାଷ ଚ଼ାନ୍ଦ୍ରାଙ୍କ ବହୁଳ ଚର୍ଚ୍ଚିତ ସାକ୍ଷାତକାରର ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ଲିଙ୍କରେ କ୍ଳିକ କରିପାରନ୍ତି :

 

https://www.youtube.com/watch?v=ZxNpskWZrxQ           


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଅକ୍ଟୋବର ୨୦୨୧


ତଥ୍ୟ:


Chatterjee, Dev. Zee, Invesco and governance. Business Standard (Bhubaneswar Edition). October 18, 2021.

ନୂଆଦିଲ୍ଲୀ ଟେଲିଭିଜନ

ନୂଆଦିଲ୍ଲୀ ଟେଲିଭିଜନ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଧରି ଭାରତୀୟ ଟେଲିଭିଜନ ସାମ୍ୱାଦିକତା କ୍ଷେତ୍ରରେ ଏକ ଚର୍ଚ୍ଚିତ ପ୍ରସାରକର ମାନ୍ୟତା ପାଇ ଆସିଥିଲା । ୧୯୮୮ରେ ସ୍ଥାପିତ ଏହାର ବ୍ୟବସାୟ ୩୪ ବର୍ଷ ପରେ୨୦୨୨ରେ ଅଧିଗ୍ରହଣର ସମ୍ମୁଖୀନ ହେବା ଗଣମାଧ୍ୟମ ପରିଧିରେ ଉଲ୍ଲେଖନୀୟ ବିଷୟ । ଏହି ଘଟଣାକ୍ରମ ବ୍ୟବସାୟିକ ବିଶୃଙ୍ଖଳାକୁ ସୂଚ଼ିତ କରିଥାଏ । ସାମ୍ୱାଦିକତା ସୃଜନକଳା ପର୍ଯ୍ୟାୟଭୁକ୍ତ କିନ୍ତୁ ସମକାଳରେ ସମ୍ୱାଦ ମଞ୍ଚ ପରିଚାଳନା ବଡ଼ ବ୍ୟବସାୟରେ’ ପରିଣତ ହୋଇଛି ।

 

ନୂଆଦିଲ୍ଲୀ ଟେଲିଭିଜନ ବ୍ୟବସାୟରେ ନିବେଶ ଓ ଖର୍ଚ୍ଚରେ ସମତୁଲ ନରଖିପାରି ପ୍ରାୟୋଜକ ପ୍ରଣୟ ରାୟ ଓ ରାଧିକା ରାୟ ୧୫ ବର୍ଷ ପୂର୍ବେ ୨୦୦୭ରୁ ବ୍ୟାଙ୍କରୁ କରଜ କରିଥିଲେ । ଏହି ଋଣ ଭରଣା କରିବା ନିମନ୍ତେ ୨୦୦୯ରେ ଏକ ନିବେଶକ ସଂସ୍ଥା ‘ଭେଞ୍ଚର କ୍ୟାପିଟାଲ ଫାର୍ମ’ଠାରୁ ୩୫୦ କୋଟି ଟଙ୍କା ବିନାସୁଧରେ ଋଣକରି ୨୯ ପ୍ରତିଶତ ଅଂଶଧନ ମଞ୍ଜୁରୀ ନିମନ୍ତେ ରାଜିନାମା ‘ୱାରେଣ୍ଟ’ ସ୍ୱାକ୍ଷର କରିଥିଲେ । ସଂପୃକ୍ତ ସଂସ୍ଥା ବିଶ୍ୱପ୍ରଧାନ କମରସିଆଲ ପ୍ରାଇଭେଟ ଲିମିଟେଡ଼ ରିଲାଏନ୍ସ ଇଣ୍ଡାଷ୍ଟ୍ରୀର  ମୁକେଶ ଆମ୍ୱାନୀଙ୍କ ରିଲାଏନ୍ସ ଇଣ୍ଡାଷ୍ଟ୍ରୀଜ ଦ୍ୱାରା ସମର୍ଥିତ ଥିବା କୁହାଯାଏ ।

 

ବିଗତ ୧୩ ବର୍ଷଧରି ବିଶ୍ୱପ୍ରଧାନ କମରସିଆଲ ପ୍ରାଇଭେଟ ଲିମିଟେଡ଼ ନୂଆଦିଲ୍ଲୀ ଟେଲିଭିଜନର ଅଂଶଧନ ରାଜିନାମା ଅନୁଯାୟୀ ଦାବୀ କରିନଥିଲା । ଏହି ସମୟସୀମାରେ ବିଶ୍ୱପ୍ରଧାନର ମାଲିକାନା ମହେନ୍ଦ୍ର ନାହାତାଙ୍କ ‘ହେଚ଼-ଏଫ-ସି-ଏଲ’ ଗୃପ ଗ୍ରହଣ କରିଥିଲା । ତେବେ ୨୩ ଅଗଷ୍ଟ ୨୦୨୨ରେ ଏହି ଭେଞ୍ଚର କ୍ୟାପିଟାଲ ଫାର୍ମକୁ ଗୌତମ ଆଦାନୀ ପରିଚାଳିତ ଆଦାନୀ ଏଣ୍ଟରପ୍ରାଇଜର୍ସ କିଣି ନେଲା । ଆଦାନୀ ତୁରନ୍ତ ୨୪ ଅଗଷ୍ଟ ୨୦୨୨ରେ ନୂଆଦିଲ୍ଲୀ ଟେଲିଭିଜନକୁ ବିଶ୍ୱପ୍ରଧାନ କମରସିଆଲ ପ୍ରାଇଭେଟ ଲିମିଟେଡ଼ର ୨୦୦୯ ଚୁକ୍ତି ଅନୁଯାୟୀ ୩୫୦ ଓ ପରେ  ୫୦ ମୋଟ ୪୦୦ କୋଟି ଟଙ୍କା ଋଣବାବଦରେ ୨୯ ପ୍ରତିଶତ ଅଂଶଧନ ମଞ୍ଜୁର ନିମନ୍ତେ ଦାବୀ ଉପସ୍ଥାପିତ କରିଥିଲା ।

 

ନୂଆଦିଲ୍ଲୀ ଟେଲିଭିଜନର ପ୍ରତିଷ୍ଠାତା-ପ୍ରାୟୋଜକ ପ୍ରଣୟ ରାୟ ଓ ପତ୍ନୀ ରାଧିକା ରାୟ କଲିକତା ବାସିନ୍ଦା । ବିଗତ ଶତାଦ୍ଦୀର ସପ୍ତମ ଦଶକରେ ଦିହିଁଙ୍କ ଡ଼େରାଡୁନରେ ଦେଖାସାକ୍ଷାତ ହୋଇଥିଲା । ପ୍ରଣୟ ରାୟ ଖ୍ୟାତନାମା ଡୁନ ସ୍କୁଲ ଛାତ୍ର ଥିବା ବେଳେ ରାଧିକା ସଂଭ୍ରାନ୍ତ ୱେଲହାମ ବାଳିକା ବିଦ୍ୟାଳୟର ଛାତ୍ରୀ । ଦିହେଁ ଉଚ୍ଚତର ଅଧ୍ୟୟନ ନିମନ୍ତେ ଲଣ୍ଡନ ଯାଇଥିଲେ । ବିବାହ ବନ୍ଧନରେ ଆବଦ୍ଧ ହେବାପରେ ନୂଆଦିଲ୍ଲୀରେ ଅବସ୍ଥାପିତ ହୋଇଥିଲେ । ପ୍ରଣୟ ଅର୍ଥନୀତିରେ ଗବେଷଣାକରି ଡ଼କ୍ଟରେଟ ହାସଲ ପରେ ଦିଲ୍ଲୀ ସ୍କୁଲ ଅଫ ଇକନୋମିକ୍ସରେ ଅଧ୍ୟାପନା କଲେ । ରାଧିକା ରାୟ ଦିଲ୍ଲୀରେ ସାମ୍ୱାଦିକତାରେ ସଂପୃକ୍ତ ରହିଥିଲେ ।

 

ଭାରତରେ ଦୂରଦର୍ଶନ ୧୯୮୨ରୁ ରଙ୍ଗୀନ ଉପଗ୍ରହ ପ୍ରସାରଣ ଆରମ୍ଭ କରିବା ଏବଂ ଦେଶବ୍ୟାପୀ ସ୍ୱଳ୍ପ-ଶକ୍ତି-ସମ୍ପନ୍ନ ଟ୍ରାନ୍ସମିଟର ସ୍ଥାପନ କରି ସେବା ପରିବ୍ୟାପ୍ତ କରିବା ଅବସରରେ ପ୍ରଣୟ ରାୟ ନିର୍ବାଚନ ସମୀକ୍ଷକ ଭାବେ ବନ୍ଧୁ ବିନୋଦ ଦୁଆଙ୍କ ସହ ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ପରିଚିତି ହାସଲ କରିଥିଲେ । ନିଜ ପତ୍ନୀଙ୍କ ସହ ୧୯୮୮ରେ ‘ନୂଆଦିଲ୍ଲୀ ଟେଲିଭିଜନ’ ସଂସ୍ଥା ଆରମ୍ଭ କରି ଦୂରଦର୍ଶନ ପାଇଁ ୧୯୮୮ରୁ ୧୯୯୫ ଯାଏଁ ‘ଦି ୱାର୍ଲଡ଼ ଦିସ ୱିକ’ କାର୍ଯ୍ୟକ୍ରମ ପ୍ରଯୋଜନାରେ ଜଣେ ସଫଳ ଟେଲିଭିଜନ ଉପସ୍ଥାପନ ଭାବେ ଦେଶବ୍ୟାପୀ ଲୋକପ୍ରିୟ ହେଲେ ।

 

ମୁଖ୍ୟତଃ, ଦେଶର ଇଂଲିଶ ପାଠୁଆ ସହରାଞ୍ଚଳର ଉଚ୍ଚଶିକ୍ଷିତ ଦର୍ଶକ ପ୍ରଣୟ ରାୟଙ୍କ ଧୀରଶାନ୍ତ ଉପସ୍ଥାପନା ଶୈଳୀକୁ ପସନ୍ଦ କଲେ । ପ୍ରଣୟ ଉପସ୍ଥାପକ ଭାବେ ଟେଲିଭିଜନ କ୍ୟାମରା ଆଗକୁ ଆସୁଥିବା ବେଳେ ରାଧିକା କ୍ୟାମରା ପଛର କାମ ସଂଭାଳୁଥିଲେ । ଦୂରଦର୍ଶନରେ ‘ଦି ନିଉଜ ଆୱାର’ ଓ ‘ଗୁଡ଼ ମର୍ଣ୍ଣି ଇଣ୍ଡିଆ’ ଭଳି କାର୍ଯ୍ୟକ୍ରମ ପ୍ରଯୋଜନା ଭାର ମଧ୍ୟ ନୂଆଦିଲ୍ଲୀ ଟେଲିଭିଜନକୁ ମିଳିଲା । ଇତ୍ୟବସରରେ ଶେଷ ଦଶକରେ ଦେଶରେ କେବଲ ଟେଲିଭିଜନ ପ୍ରସାରଣ ଆରମ୍ଭ ହେବାପରେ ରୁପର୍ଟ ମୁଦ୍ରୋଚ଼ଙ୍କ ସହ ଚୁକ୍ତି କରି ‘ଷ୍ଟାର ପ୍ଳସ’ ନିମନ୍ତେ ସମ୍ୱାଦ କାର୍ଯ୍ୟକ୍ରମ ପ୍ରସ୍ତୁତିର ସୁଯୋଗ ପାଇଲେ । ଦୁଇବର୍ଷ ପରେ ପାଞ୍ଚ ବର୍ଷ ପାଇଁ ‘ଷ୍ଟାର ନିଉଜ’ ନାମକ ଚବିଶି ଘଣ୍ଟିଆ ସମ୍ୱାଦ ପ୍ରସାରଣ ଚ୍ୟାନେଲ ପରିଚାଳନାର ଭାର ଗ୍ରହଣ କରିଥିଲେ ।

 

ସାପ୍ତାହିକ ‘ଦି ନିଉଜ ଦିସ ୱିକ’ରୁ ‘ଷ୍ଟାର ନିଉଜ’ର ଅଭିଜ୍ଞତା ପ୍ରଣୟ ରାୟ ଓ ରାଧିକା ରାୟଙ୍କୁ ୨୦୦୪ରେ  ଇଂଲିଶରେ ‘ଏନଡ଼ିଟିଭି ୨୪ x ୭’ ଓ ହିନ୍ଦିରେ ‘ଏନଡ଼ିଟିଭି ଭାରତ’ ଆରମ୍ଭ କରିବା ନିମନ୍ତେ ସମର୍ଥ କରିଥିଲା । କ୍ରମଶଃ ଏନଡ଼ିଟିଭି ଇଂଲିଶ ସମ୍ୱାଦ ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦିତ କରି ଆଦୃତ ହୋଇଥିଲା । ବର୍ଖା ଦତ୍ତ, ରାଜଦୀପ ଶରଦେଶାଇ ଓ ଅର୍ଣ୍ଣବ ଗୋସ୍ୱାମୀଙ୍କ ଭଳି ଟେଲିଭିଜନ ଉପସ୍ଥାପକ ଚ୍ୟାନେଲର ଖ୍ୟାତି ବଢ଼ାଇଥିଲେ । ଏହି ଅବସରରେ ନୂଆଦିଲ୍ଲୀ ଟେଲିଭିଜନ ପକ୍ଷରୁ ଗୁଡ଼ାଏ ନୂଆ ଚ଼୍ୟାନେଲ ଖୋଲିବା ଫଳରେ ଆର୍ଥିକ ବିଶୃଙ୍ଖଳାର ସମ୍ମୁଖୀନ ହୋଇଥିଲା । ଅଗତ୍ୟା ୨୦୦୭ରେ ନୂଆଦିଲ୍ଲୀ ଟେଲିଭିଜନର ଅନ୍ୟତମ ନିବେଶକ ‘ରାଧିକା ରାୟ ପ୍ରଣୟ ରାୟ ହୋଲଡ଼ିଂ’ ଋଣ କରିବାକୁ ବାଧ୍ୟବାଧକତା ପରିସ୍ଥିତିରେ ପହଞ୍ଚିଥିଲା । ସେହି ଋଣ ପରିଶୋଧ ନିମନ୍ତେ ଅଂଶଧନ ହସ୍ତାନ୍ତର ରାଜିନାମା ୨୦୨୨ରେ ନୂଆଦିଲ୍ଲୀ ଟେଲିଭିଜନକୁ ବାହ୍ୟ ନିବେଶକଙ୍କ ଦ୍ୱାରା ଅଧିଗ୍ରହଣ ପରିସ୍ଥିତି ପହୁଞ୍ଚାଇଲା ।

 

ନୂଆଦିଲ୍ଲୀ ଟେଲିଭିଜନ ଅଧିଗ୍ରହଣ ଉଦ୍ୟମ ଉଦାହରଣ ବିଶ୍ଳେଷଣ କଲେ ଭାରତରେ ସ୍ୱାଧୀନୋତ୍ତର ଗଣମାଧ୍ୟମ ତଥା ମହାମାରୀ-ପର ପରିବେଶ ସଂପର୍କରେ କେତେଗୋଟି ତାତ୍ତ୍ୱିକ ପ୍ରଶ୍ନ ଚର୍ଚ୍ଚାର ପରିସରଭୁକ୍ତ ହୋଇଥାଏ । ପ୍ରଥମତଃ, ବିଚାର କରିବାର ଅବକାଶ ଆସି ପହଞ୍ଚିଛି ସାମ୍ୱାଦିକତା ଏକ ସୃଜନ କଳା ନା ବ୍ୟବସାୟ । ସାମ୍ୱାଦିକତା ସ୍ୱାଧୀନ ନା ନିବେଶକ-ଆଶ୍ରିତ । ସାମ୍ୱାଦିକତା ଯଦି ସ୍ୱାଧୀନତାର ପରିଧିରେ ପରିଚାଳିତ ନହୋଇପାରୁଛି, ତେବେ ଗଣତନ୍ତ୍ର ବିକାଶ ନିମନ୍ତେ ସୁରକ୍ଷା ଯୋଗାଉଛି ନା ବିପଦ ଆମନ୍ତ୍ରଣ କରୁଛି ?

 

ଦ୍ୱିତୀୟତଃ, ନୂଆଦିଲ୍ଲୀ ଟେଲିଭିଜନକୁ ଯଦି ବିନା ସୁଧରେ ଏକ ଭେଞ୍ଚର କ୍ୟାପିଟାଲ ଫାର୍ମ ବିନାସୁଧରେ ଦଶ ବର୍ଷ ପାଇଁ ୪୦୦ କୋଟି ଟଙ୍କା ଅର୍ଥ ପ୍ରଦାନ କରିଥିଲା, ଏହି କାରବାରକୁ ଜନସାଧାରଣ କିପରି ଗ୍ରହଣ କରିବେ ? ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବିପୁଳ ପରିମାଣରେ ଅର୍ଥ ନିବେଶ କରାଯାଉଥିବା ସ୍ଥଳେ ଦେଶର ଅନ୍ୟାନ୍ୟ ବୃହତ ଟେଲିଭିଜନ ଚ୍ୟାନେଲ ଓ ସମ୍ୱାଦପତ୍ରଗୁଡ଼ିକ ସମଭାବେ ପ୍ରଭାବିତ ବୋଲି ଧରିନେବା କି ? ଗଣମାଧ୍ୟମରେ ପରିବେଷିତ ସମ୍ୱାଦ ଓ ଅଭିମତକୁ ନେଇ ଜନସାଧାରଣଙ୍କ ଦୃଷ୍ଟିକୋଣ ପରିପୁଷ୍ଟ ହେଉଥିବା ହେତୁ ବିଭିନ୍ନ ମଞ୍ଚର ଆର୍ଥିକ କାରବାର ସଂପର୍କରେ ଅଧିକ ସ୍ୱଚ୍ଛତା ଦାବୀ କରିବା ବେଳ ପହଞ୍ଚି ନାହିଁକି ?

 

ତୃତୀୟତଃ, ସମ୍ୱାଦ ସରବରାହ କ’ଣ ଆର୍ଥିକ ନିବେଶ ଆଶ୍ରିତ ମଡ଼େଲରେ ଲଟକି ରହିବ ? ଅତ୍ୟାଧୁନିକ କନେକ୍ଟଡ଼ ପରିବେଶରେ ସ୍ୱାଧୀନ ସାମ୍ୱାଦିକତାର ସୁଯୋଗ ସୃଷ୍ଟି ହୋଇ ସାରିଥିବା ସ୍ଥଳେ ନିରପେକ୍ଷତା ପ୍ରସାର ଲାଗି ଉଦ୍ୟମ ଆବଶ୍ୟକ ନୁହେଁକି ? ବିକଶିତ ରାଷ୍ଟ୍ର ସମୂହ, ମୁଖ୍ୟତଃ, ଯୁକ୍ତରାଷ୍ଟ୍ର ଆମେରିକାରେ ସମ୍ୱାଦ ମଞ୍ଚଗୁଡ଼ିକୁ ଆର୍ଥିକ ନିବେଶ ସଂସ୍ଥା ‘ହେଡ଼ଜ ଫଣ୍ଡ’ ଅଧିଗ୍ରହଣ ଧାରା ଆରମ୍ଭ ହେବାପରେ ଗଣମାଧ୍ୟମରେ ସ୍ୱାଧୀନତା ବଜାୟ ରଖିବା ନିମନ୍ତେ ସ୍ଥାନୀୟ ନାଗରିକ ସମାଜ ପକ୍ଷରୁ ଯୋଜନାବଦ୍ଧ ଅଭିଯାନ ପ୍ରଯୋଜନା କରାଯାଉଛି । ଭାରତରେ ଗଣମାଧ୍ୟମ ପରିଚାଳନାରେ ବ୍ୟବସ୍ଥାପକ ଓ ନ୍ୟାୟିକ ବ୍ୟବସ୍ଥା ହସ୍ତକ୍ଷେପରୁ ଏଯାଏଁ ନୀତିଗତଭାବେ ଦୂରେଇ ରହିଥିବା ସ୍ଥଳେ ନାଗରିକ ସମାଜର ପଦକ୍ଷେପ ସମୟ ଉପଯୋଗୀ ବିଚାର କରାଯାଏ ।

 

ସ୍ୱାଧୀନୋତ୍ତର ଭାରତରେ ଗଣମାଧ୍ୟମର ବିପୁଳ ବିକାଶ ଘଟିଥିଲା ଏବଂ ଆର୍ଥିକ ଉଦାରୀକରଣ ନୀତି ପ୍ରବର୍ତ୍ତିତ ହେବାପରେ ତିନି ଦଶକ ଧରି ସମ୍ୱାଦ ମଞ୍ଚ, ଉପଭୋକ୍ତା ତଥା ସମ୍ୱାଦ ସଂଗ୍ରହ, ସମ୍ପାଦନା ଓ ପ୍ରସାରଣରେ ବ୍ୟାପକ ବୈଷୟିକ ଉନ୍ନତି ସଂଭବପର ହୋଇପାରିଛି । ତେବେ ସାମ୍ୱାଦିକତାର ମୂଳଉତ୍ସ ସ୍ୱାଧୀନତା, ନିରପେକ୍ଷତା ଓ ଜନହିତ ଭଳି ଦିଗଗୁଡ଼ିକ ସ୍ୱାଧୀନତା-ପୂର୍ବ ଅବସ୍ଥା ତୁଳନାରେ ଅବହେଳିତ ହୋଇ ପଡ଼ିଥିବା ସୁସ୍ପଷ୍ଟ । ଏଥିଲାଗି ପ୍ରଚଳିତ ବ୍ୟବସାୟିକ ମଡ଼େଲକୁ ଦୋଷ ଦିଆଯିବ କି ? ସାମ୍ୱାଦିକତା କେତେମାତ୍ରାରେ ଜନଜୀବନକୁ ପ୍ରଭାବିତ କରିପାରୁଛି  ସେଥିରେ ତାହାର ପରାକାଷ୍ଠା ପ୍ରମାଣିତ । ମହାତ୍ମାଗାନ୍ଧୀଙ୍କ ବିଜ୍ଞାପନ-ରହିତ ‘ହରିଜନ’ ପତ୍ରିକା ଯଦି ପ୍ରବଳ ପରାକ୍ରମୀ ବ୍ରିଟିଶ ଶାସନର ପ୍ରତିରୋଧ ସହ ସାମାଜିକ ଓ ଅର୍ଥନୀତିକ ପରିବର୍ତ୍ତନର ସୂତ୍ରଧର ସାଜି ପାରିଥିଲା, ଆମେ ସେଭଳି ମଡ଼େଲକୁ ଅଣଦେଖା କରିଚାଲିଛୁ  କାହିଁକି ? ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମଲ’ରେ ଦେଶର ବୃହତ ସମ୍ୱାଦ ମଞ୍ଚଗୁଡ଼ିକ ଶିଳ୍ପପତି ଓ ନିବେଶକଙ୍କ କରାୟତ ହୋଇସାରିବା ପରେ ହୁଏତ ବିକଳ୍ପ ଗଣମାଧ୍ୟମର ଭାଗ୍ୟୋଦୟ ହେବ ବୋଲି ଆଶା କରାଯାଇପାରେ ।            


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୬ ଅଗଷ୍ଟ ୨୦୨


ତଥ୍ୟ:

 

Pinto, Viveat Susan. Adani to acquire 29% in NDTV, makes open offer for 26%. Business Standard (Bhubaneswar Edition). August 24, 2022

 

Pinto, Viveat Susan. Tempest finally rages. Business Standard (Bhubaneswar Edition). August 25, 2022

 

Pinto, Viveat Susan & Dev Chatterjee, Samie Modak. Need Sebi nod to transfer stakes to Adani, Says NDTV. Business Standard (Bhubaneswar Edition) August 26, 2022


ଆଦାନୀ ମିଡ଼ିଆ ଗୃପ

ଭାରତର ସର୍ବାଧିକ ଧନୀ ବ୍ୟକ୍ତିଙ୍କ ବ୍ୟାବସାୟିକ ପ୍ରତିଷ୍ଠାନ ପ୍ରଥମ ଥର ପାଇଁ ସମ୍ୱାଦ ଶିଳ୍ପରେ ପ୍ରବେଶ ଗଣମାଧ୍ୟମ ପରିସରରେ ଉତ୍ସୁକତା ଭରିଦେବା ସ୍ୱାଭାବିକ । ଗୌତମ ଆଦାନୀଙ୍କ ୧୯୮୮ରେ ପ୍ରତିଷ୍ଠିତ ‘ଆଦାନୀ ଏଣ୍ଟରପ୍ରାଇଜର୍ସ’ ୨୦୨୨ ଏପ୍ରିଲରେ ‘ଆଦାନୀ ମିଡ଼ିଆ ଗୃପ (ଏଏମଜି)’ ଗଠନ ଘୋଷଣା କରିଥିଲା । ପ୍ରକାଶନ, ବିଜ୍ଞାପନ, ପ୍ରସାରଣ ଓ ଅନଲାଇନ ମଞ୍ଚ ବ୍ୟବସାୟରେ ପ୍ରବେଶ ଏହାର ଲକ୍ଷ୍ୟ । ମାତ୍ର ଚାରିମାସ ପରେ ଅଗଷ୍ଟ ୨୦୨୨ରେ ଦେଶରେ ଆଗଧାଡ଼ିର ଏକ ପ୍ରତିଷ୍ଠିତ ଟେଲିଭିଜନ ପ୍ରସାରକ ‘ନୂଆଦିଲ୍ଲୀ ଟେଲିଭିଜନ’କୁ ଅଧିଗ୍ରହଣ ଉଦ୍ୟମ ପରବର୍ତ୍ତୀ ପଦକ୍ଷେପ ଗଣମାଧ୍ୟମ ପରିସରରେ ବିଘଟନ ସୃଷ୍ଟିର କାରଣ ପାଲଟିବା ଆଶଙ୍କା ପ୍ରକାଶ ପାଇବା ଅସମୀଚୀନ ନୁହେଁ ।

 

ଗୌତମ ଆଦାନୀ ଅଗଷ୍ଟ ୨୦୨୨ରେ ପ୍ରକାଶିତ ‘ବ୍ଳୁମବର୍ଗ କୋଟିପତି ତାଲିକା’ରେ ବିଶ୍ୱର ଧନୀକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ସୂଚ଼ିତ ହୋଇଥିଲା । ଆନ୍ତର୍ଜାତିକସ୍ତରରେ ଏଲନ ମୁସ୍କ ପ୍ରଥମ ଓ ଜେଫ ବେଜୋସ ଦ୍ୱିତୀୟ ସ୍ଥାନିତ । ବିଦ୍ୟୁତଚାଳିତ କାର ନିର୍ମାତା ଏଲନ ମାଇକ୍ରୋ-ବ୍ଳଗିଂ ମଞ୍ଚ ‘ଟୁଇଟର’ ଅଧିଗ୍ରହଣ ନିମନ୍ତେ ୨୦୨୨ ପ୍ରଥମାର୍ଦ୍ଧରେ ପ୍ରସ୍ତାବ ଉପସ୍ଥାପନ କରି ବିବାଦୀୟ ପରିବେଶ ସୃଷ୍ଟି କରିଥିଲେ । ଅନଲାଇନ ବଜାର ‘ଆମେଜନ’ର ଉଦ୍ୟୋକ୍ତା ବେଜୋସ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଭାବଶାଳୀ ସମ୍ୱାଦ ମଞ୍ଚ ‘ଦି ୱାଶିଂଟନ ପୋଷ୍ଟ’ ଅଧିଗ୍ରହଣ କରିଛନ୍ତି । ତୃତୀୟ ଧନୀକ ବ୍ୟକ୍ତି ଆଦାନୀଙ୍କ ଭାରତୀୟ ଗଣମାଧ୍ୟମ ବ୍ୟବସାୟରେ ପ୍ରବେଶ ବ୍ୟବସାୟ ବଦଳରେ ପତିଆରା ବୃଦ୍ଧିର ସଙ୍କେତ ଦେଇଥାଏ ।

 

ଗୌତମ ଆଦାନୀ ଗୁଜରାଟର ଅହମ୍ମଦାବାଦଠାରେ ୧୯୬୨ରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୨୨ରେ ୬୦ ବର୍ଷ ବୟସରେ ପଦାର୍ପଣ କଲାପରେ ଗଣମାଧ୍ୟମ ବ୍ୟବସାୟରେ ପ୍ରବେଶ କରିଛନ୍ତି । ସେମାନେ ସାତ ଭାଇଭଉଣୀ ଏବଂ ବାପା ଜଣେ ସାଧାରଣ କପଡ଼ା ବେପାରୀ । ଆଦାନୀ ବାଣିଜ୍ୟ ସ୍ନାତକ ଛାତ୍ର ଥିବା ବେଳେ ଦ୍ୱିତୀୟ ବର୍ଷରେ କଲେଜ ଛାଡ଼ି ବମ୍ୱେ ଯାଇ ମହେନ୍ଦ୍ର ବ୍ରଦର୍ସଙ୍କ ହୀରା ବ୍ୟବସାୟରେ କର୍ମଚାରୀଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । କିଛି ବର୍ଷ ପରେ ବଡ଼ଭାଇ ଅହମ୍ମଦାବାଦରେ ଏକ ପ୍ଳାଷ୍ଟିକ କାରଖାନା କିଣିବା ପରେ ସେ ବମ୍ୱେ ଛାଡ଼ି ଅହମ୍ମଦାବାଦରେ ପହଞ୍ଚି ଭାଇଙ୍କ କାରଖାନା ପାଇଁ ବିଦେଶରୁ ପିଭିସି ଆମଦାନୀ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ଅଭିଜ୍ଞତା ଆଦାନୀଙ୍କ ବ୍ୟାବସାୟିକ ଜୀବନରେ ସହାୟକ ହୋଇଥିଲା । ସେ ୧୯୮୮ରେ ‘ଆଦାନୀ ଏକ୍ସପୋର୍ଟସ’ ନାମକ କମ୍ପାନୀ ଗଢ଼ିଥିଲେ ।

 

ଆଦାନୀ ଏକ୍ସପୋର୍ଟସ ପରବର୍ତ୍ତୀ କାଳରେ ଆଦାନୀ ଏଣ୍ଟରପ୍ରାଇଜର୍ସ ରୂପାନ୍ତରିତ ହୋଇଥିଲା । କ୍ରମଶଃ ଖଣି, କୃଷି, ଶକ୍ତି, ବସ୍ତ୍ର, ବନ୍ଦର ଇତ୍ୟାଦି ବ୍ୟବସାୟରେ ପ୍ରବେଶ କରିଥିଲା । ବଦାନ୍ୟତା ନିମନ୍ତେ ୧୯୯୪ରୁ ‘ଆଦାନୀ ଫାଉଣ୍ଡେସନ’ କମ୍ପାନୀର ଅନ୍ୟତମ ଅବଦାନ । ଆଦାନୀ ମିଡ଼ିଆ ଗୃପ ଗଠନ ଘୋଷଣା ଦେଢ଼ ବର୍ଷ ପୂର୍ବରୁ ସେପ୍ଟେମ୍ୱର ୨୦୨୧ରେ ବରିଷ୍ଠ ସାମ୍ୱାଦିକ ସଞ୍ଜୟ ପୁଗାଲିଆଙ୍କୁ ଗଣମାଧ୍ୟମ ବ୍ୟବସାୟ ପରିଚାଳନା ନିମନ୍ତେ ନିଯୁକ୍ତ କରିଥିଲା । ପୁଗାଲିଆଙ୍କ ମୁଦ୍ରଣ, ଟେଲିଭିଜନ ଓ ଅନଲାଇନ ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ରହିଛି । ବୃତ୍ତିଗତ ଜୀବନର ପ୍ରଥମ ଅବସ୍ଥାରେ ସେ ହିନ୍ଦି ସାମ୍ୱାଦିକଭାବେ ଅଭିଜ୍ଞତା ହାସଲ କରିଥିଲେ ଏବଂ ଆଦାନୀ ମିଡ଼ିଆ ଗୃପରେ ଯୋଗଦେବା ପୂର୍ବରୁ ଦେଶର ଏକ ଅଗ୍ରଣୀ ଇଂଲିଶ ଅନଲାଇନ ନିଉଜ ପୋର୍ଟାଲର ଅଧ୍ୟକ୍ଷ ପଦ ସଂଭାଳୁଥିଲେ ।

 

ପୁଗାଲିଆ ଝାଡ଼ଖଣ୍ଡ ସାହେବଗଞ୍ଜ ସହର ବାସିନ୍ଦା । ତାଙ୍କରି ପିତା ଜଣେ ସାଧାରଣ ବ୍ୟବସାୟୀ । ଇତିହାସ ଓ ରାଜନୀତି ବିଜ୍ଞାନ ଅଧ୍ୟୟନ ପରେ ସେ ‘ଟାଇମ୍ସ ଅଫ ଇଣ୍ଡିଆ ଗୃପ’ର ହିନ୍ଦି ଦୈନିକ ‘ନବଭାରତ ଟାଇମ୍ସ’ରେ ଦଶବର୍ଷ ଏବଂ ସେଠାରୁ ଯାଇ ଇଂଲିଶ ବାଣିଜ୍ୟ-ବ୍ୟବସାୟ ଦୈନିକ ‘ବିଜିନେସ ଷ୍ଟାଣ୍ଡାର୍ଡ’ରେ ତିନି ବର୍ଷ ସାମ୍ୱାଦିକତା କରିଥିଲେ । ପରେ ‘ଆଜତକ’, ‘ଜୀ-ନିଉଜ’, ‘ଷ୍ଟାର-ନିଉଜ’ ଓ ‘ସିଏନବିସି-ଆୱାଜ’ ଭଳି ସମ୍ୱାଦଭିତ୍ତିକ ଟେଲିଭିଜନରେ ଦୀର୍ଘକାଳ କାର୍ଯ୍ୟପରେ ‘କୁଇଣ୍ଟ ଡ଼ିଜିଟାଲ’ରେ ଅଧ୍ୟକ୍ଷ ରୂପେ ଅବସ୍ଥାପିତ ହୋଇଥିଲେ । ଭାରତୀୟ ଅନଲାଇନ ସମ୍ୱାଦ ମଞ୍ଚ ପରିବେଶରେ ‘କୁଇଣ୍ଟ’ ଏକ ଚର୍ଚ୍ଚିତ ପୋର୍ଟାଲ । ଏହା ଦୀର୍ଘ ଦିନ ଧରି ଆନ୍ତର୍ଜାତିକ ‘ବ୍ଳୁମବର୍ଗ’ ସହବନ୍ଧିତ ରହିଥିଲା । ଚୁକ୍ତି ଅବଧି ସରିବାପରେ ଆଦାନୀ ଏଣ୍ଟରପ୍ରାଇଜର୍ସରେ ପୁଗାଲିଆ ଯୋଗ ଦେବା ପରେ ‘କୁଇଣ୍ଟଲିନ ବିଜିନେସ ମିଡ଼ିଆ’କୁ ଆଦାନୀ ମିଡ଼ିଆ ଗୃପ ମାର୍ଚ୍ଚ ୨୦୨୨ରେ ଅଧିଗ୍ରହଣ କରିଦେଇଥିଲା । ଅବଶ୍ୟ କେବଳ ବାଣିଜ୍ୟ-ବ୍ୟବସାୟ ପୋର୍ଟାଲ ଏହି ଅଧିଗ୍ରହଣରେ ସାମିଲ ହୋଇଥିଲା । କୁଇଣ୍ଟ ଡ଼ିଜିଟାଲର ‘କୁଇଣ୍ଟ’, ‘ଦି ନିଉଜ ମିନିଟ’ ଓ ‘ୟୁଥ-କୀ-ଆୱାଜ’ଭଳି ଡ଼ିଜିଟାଲ ମଞ୍ଚଗୁଡ଼ିକ ପୂର୍ବବତ ସ୍ୱାଧୀନଭାବେ କାର୍ଯ୍ୟ କରୁଛି ।

 

ଗଣମାଧ୍ୟମ ବିଶ୍ଳେଷକମାନେ ପୁଗାଲିଆଙ୍କୁ ଜଣେ ପୋଖତ ସମ୍ୱାଦ ମଞ୍ଚ ପ୍ରାୟୋଜକଭାବେ ଚ଼ିତ୍ରଣ କରିଥାନ୍ତି । ସମ୍ୱାଦଭିତ୍ତିକ ଟେଲିଭିଜନ ଚ୍ୟାନେଲ ଓ ଅନଲାଇନ ପୋର୍ଟାଲ ଗଢ଼ିବାରେ ସେ ଯେ ଦୀର୍ଘ ସମୟ ଅତିବାହିତ କରିଛନ୍ତି କେବଳ ତାହା ନୁହ, ନିବେଶକମାନଙ୍କ ବିଶ୍ୱାସନୀୟତା ମଧ୍ୟ ହାସଲ କରିଛନ୍ତି । ଆଷ୍ଟ୍ରେଲିଆର ଗଣମାଧ୍ୟମ ନିବେଶକ କେରୀ ପାକେର ନିଜ ଟେଲିଭିଜନ କମ୍ପାନୀ ‘ଚ୍ୟାନେଲ-୯’ ଭାରତରେ ସଂପ୍ରସାରଣ ନିମନ୍ତେ ପୁଗାଲିଆଙ୍କୁ ପ୍ରସ୍ତାବ ଦେଇଥିବା କୁହାଯାଏ । ଜଣେ ଅଭିଜ୍ଞ ଓ ବିଚକ୍ଷଣ ଗଣମାଧ୍ୟମ ମଞ୍ଚ ପ୍ରାୟୋଜକ ଦେଶର ସର୍ବାପେକ୍ଷା ଧନଶାଳୀ ଶିଳ୍ପପତିଙ୍କ ସହ ସଂପୃକ୍ତ ହେବାପରେ ନୂତନ ପ୍ରକଳ୍ପର ପ୍ରତ୍ୟେକଟି ପଦକ୍ଷେପକୁ ଗଣମାଧ୍ୟମ ପରିସରରେ ସତର୍କ ଦୃଷ୍ଟି ଦିଆଯିବା ସ୍ୱାଭାବିକ । ଏହି ପରିବେଶରେ କେତେକ ସମ୍ଭାବନା ଚର୍ଚ୍ଚାର ପରିସରଭୁକ୍ତ ହୋଇଥାଏ ।

 

ଭାରତରେ ଟେଲିଭିଜନ ସର୍ବାଧିକ ସମ୍ୱାଦ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିସାରିଥିବା, ଡିଜିଟାଲ ମଞ୍ଚରେ ଅଗ୍ରଗତି ମୁଦ୍ରଣ ମଞ୍ଚଠାରୁ ଆଗୁଆ ଥିବା ସତ୍ତ୍ୱେ ରାଜନୀତି, ଅର୍ଥନୀତି ଓ ସାମାଜିକ କ୍ଷେତ୍ରରେ ମୁଦ୍ରଣ ମଞ୍ଚର ଆଧିପତ୍ୟ ଜାରୀ ରହିଛି । ମୁଦ୍ରିତ ସମ୍ୱାଦପତ୍ର ପରିଧିରେ ଜାତୀୟସ୍ତରରେ ଇଂଲିଶ ଦୈନିକଗୁଡ଼ିକ ତୁଳନାରେ ରାଜ୍ୟସ୍ତରୀୟ ଆଞ୍ଚଳିକ ଦୈନିକଗୁଡ଼ିକ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଛି । ଅତଏବ, ଆଦାନୀ ମିଡ଼ିଆ ଗୃପ ସକ୍ରିୟ ହୋଇ ଜାତୀୟସ୍ତରରେ ଇଂଲିଶ ଟେଲିଭିଜନ ବ୍ୟବସାୟରେ ପାଦ ଥୋଇବା ପରେ ଆଞ୍ଚଳିକ ଭାଷାର ଟେଲିଭିଜନ ଚ୍ୟାନେଲ ପ୍ରତି ଆକୃଷ୍ଟ ହେବ କି ତାହା ପ୍ରଥମ ପ୍ରଶ୍ନ ।

 

ଦ୍ୱିତୀୟତଃ, ଆଦାନୀ ମିଡ଼ିଆ ଗୃପ ମୁଦ୍ରଣ ମଞ୍ଚ, ମୁଖ୍ୟତଃ ଆଞ୍ଚଳିକ ଦୈନିକ ସମ୍ୱାଦପତ୍ର ବ୍ୟବସାୟକୁ ଗୁରୁତ୍ୱ ଦେବ କି ? ପୁଗାଲିଆ ଅନଲାଇନ ଓ ଟେଲିଭିଜନ ପୂର୍ବରୁ ସମ୍ୱାଦପତ୍ରରେ ଦୀର୍ଘ ୧୩ ବର୍ଷ କାର୍ଯ୍ୟ କରିଛନ୍ତି । ହିନ୍ଦି ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ରହିଛି । ଆଦାନୀ ମିଡ଼ିଆ ଗୃପ ଯଦି ବ୍ୟବସାୟ ବଦଳରେ ପତିଆରା ବୃଦ୍ଧିକୁ ଅଗ୍ରାଧିକାର ଦେବ, ତେବେ ଆଞ୍ଚଳିକ ଦୈନିକ ସମ୍ୱାଦପତ୍ର ଅଧିଗ୍ରହଣ ସମ୍ଭାବନା ଅଧିକ ମନେକରାଯାଇପାରେ । ଯୁକ୍ତରାଷ୍ଟ୍ର ଆମେରିକାରେ ମୁଦ୍ରଣ ସମ୍ୱାଦ ଶିଳ୍ପ ମାନ୍ଦାବସ୍ଥା ଆକ୍ରାନ୍ତ ହେବା ଅବସରରେ ବହୁ ସଂଖ୍ୟକ ସ୍ଥାନୀୟ ସମ୍ୱାଦପତ୍ର ଅଧିଗୃହୀତ ହୋଇ ବୃହତ ସମ୍ୱାଦପତ୍ର ପ୍ରକାଶନ ଶୃଙ୍ଖଳ ‘ନିଉଜପେପର ଚ଼େନ’ ସୃଷ୍ଟି ହୋଇଛି । ମହାମାରୀ-ପର ପରିବେଶରେ ଭାରତର ଗଣମାଧ୍ୟମରେ ଏକତ୍ରୀକରଣ ‘କନସୋଲିଡ଼େସନ’ ଆକଳନ କରାଯାଉଥିବା ସ୍ଥଳେ ଆଦାନୀ ମିଡ଼ିଆ ଗୃପ ନେତୃତ୍ୱ ନେବକି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

 

ଗଣମାଧ୍ୟମ ବ୍ୟବସାୟ ଅର୍ଥନୀତି ସଂପର୍କରେ ‘ଫେଡ଼ରେସନ ଅଫ ଇଣ୍ଡିଆନ ଚ଼େମ୍ୱର ଅଫ କମର୍ସ ଏଣ୍ଡ ଇଣ୍ଡାଷ୍ଟ୍ରୀଜ’ ଆନୁକୂଲ୍ୟରେ ମାର୍ଚ୍ଚ ୨୦୨୨ରେ ପ୍ରକାଶିତ ରିପୋର୍ଟରେ ୨୦୨୧ କ୍ୟାଲେଣ୍ଡର ବର୍ଷରେ ବିଜ୍ଞାପନ ଆୟ ଟେଲିଭିଜନ ୩୧ ହଜାର, ଡିଜିଟାଲ ୨୪ ହଜାର ଏବଂ ମୁଦ୍ରଣ ୧୫ ହଜାର କୋଟି ଦାବୀ କରିଥିବା ଦର୍ଶାଯାଇଥିଲା । ସମଗ୍ର ବିଜ୍ଞାପନ ବ୍ୟୟର ୯୫ ପ୍ରତିଶତ ଏହି ତିନିଗୋଟି ମଞ୍ଚ ଭାଗରେ ପଡ଼ିଥିଲା । ଅର୍ଥାତ, ବିଜ୍ଞାପନ ଆଶ୍ରିତ ଗଣମାଧ୍ୟମ ବ୍ୟବସାୟରେ ଆୟ ଅନୁଯାୟୀ ଗୁରୁତ୍ୱ ଦିଆଗଲେ ମୁଦ୍ରଣ ଆଗରେ ଟେଲିଭିଜନ ଓ ଡ଼ିଜିଟାଲର ସ୍ଥାନ । ନୂଆଦିଲ୍ଲୀ ଟେଲିଭିଜନ ଏକ ପ୍ରତିଷ୍ଠିତ ବ୍ରାଣ୍ଡ ହୋଇଥିବା ହେତୁ ଆଞ୍ଚଳିକସ୍ତରକୁ ଏହାକୁ ସଂପ୍ରସାରଣ କରାଗଲେ ୨୦୨୪ ସାଧାରଣ ନିର୍ବାଚ଼ନ ଆଗରୁ ଏକ ପ୍ରଭାବଶାଳୀ ମଞ୍ଚଗଠନ ସଂଭବ ହୋଇପାରିବା ବିଶ୍ୱାସ କରାଯାଇପାରେ । ଟେଲିଭିଜନ ଓ ଡିଜିଟାଲ ମଞ୍ଚ ସୋସିଆଲ ମିଡ଼ିଆରେ ଉପସ୍ଥିତି ଜାହିର କରିବା ପ୍ରଥା ପ୍ରଚଳିତ । ତେଣୁ ଚ଼ତୁର୍ଥତଃ, ଆଦାନୀ ମିଡ଼ିଆ ଗୃପ ସମସ୍ତ ତିନି ମାଧ୍ୟମରେ ପ୍ରବେଶ ପ୍ରତି ଯତ୍ନବାନ ହୋଇପାରେ ।

 

ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଭାରତୀୟ ଗଣମାଧ୍ୟମ, ମୁଖ୍ୟତଃ ଆଞ୍ଚଳିକ ଟେଲିଭିଜନ ଓ ମୁଦ୍ରଣ ବ୍ୟବସାୟୀଗଣ ଅଧିଗ୍ରହଣ ନିମନ୍ତେ ନିଜ ପକ୍ଷରୁ ଆଗ୍ରହ ପ୍ରକାଶ କରିବା ଆଶା କରାଯାଇପାରେ । କାରଣ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ମଧ୍ୟଭାଗରୁ ଗଣମାଧ୍ୟମ ମଞ୍ଚଗୁଡ଼ିକ ସଂପ୍ରସାରଣ, ଆୟହାନୀ, ଡିଜିଟାଲ ମଞ୍ଚ ସହ ପ୍ରତିଯୋଗିତା, ଉପଭୋକ୍ତାଙ୍କ ଆଚ଼ରଣରେ ପରିବର୍ତ୍ତନ ଓ ଅସ୍ପଷ୍ଟ ଭବିଷ୍ୟତ କାରଣରୁ ଦୁର୍ବଳ ସ୍ଥିତିରେ ପହଞ୍ଚିସାରିଥିଲା । ମହାମାରୀକାଳରେ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ସ୍ଥଳେ ମହାମାରୀ-ପର ଅବସ୍ଥାରେ ମଧ୍ୟ ତଥାକଥିତ ପ୍ରତିଷ୍ଠିତ ମଞ୍ଚଗୁଡ଼ିକ ଆଶା ଅନୁରୂପ ବ୍ୟବସାୟିକ ପରିବେଶ ଖୋଜି ପାଇପାରୁନାହାନ୍ତି । ଏହି କାରଣଗୁଡ଼ିକରୁ ବହୁ ଗଣମାଧ୍ୟମ ମଞ୍ଚ ବିଲୀନ ହେବା ଅପେକ୍ଷା ଅଧିଗ୍ରହଣକୁ ପ୍ରକାଶ୍ୟରେ ନହେଲେ ମଧ୍ୟ ଗୋପନରେ ସାଦରରେ ଗ୍ରହଣ କରିବେ । ଅତଏବ ପଞ୍ଚମତଃ, ଏହି ପରିବେଶ ଆଦାନୀ ମିଡ଼ିଆ ଗୃପକୁ ସଂପ୍ରସାରଣଲାଗି ଉତ୍ସାହିତ କରିପାରେ ।

 

ଯେକୌଣସି ସମୟରେ ପ୍ରଚଳିତ ବ୍ୟବସାୟରେ ବୃହତ ନିବେଶକଙ୍କ ପ୍ରବେଶ ପାରମ୍ପରିକ ସ୍ଥିତିକୁ ଦୋହଲାଇ ଦେଇଥାଏ । ‘ଆଦାନୀ ମିଡ଼ିଆ ଗୃପ’ ମାଧ୍ୟମରେ ଆଦାନୀ ଏଣ୍ଟରପ୍ରାଇଜର୍ସ କେଉଁ ଲକ୍ଷ୍ୟ ସିଦ୍ଧି ପାଇଁ ଉଦ୍ୟମ କରିବ ତାହା ସମୟ କହିବ । କୋଭିଡ଼ ମହାମାରୀକାଳରେ ସରକାରଙ୍କୁ ନିନ୍ଦିତ କରାଯାଉଥିବା ଅବସରରେ ଶିଳ୍ପପତି ଆଦାନୀ ଅଭିବ୍ୟକ୍ତିର ସ୍ୱାଧୀନତା ଆଳରେ ଗଣମାଧ୍ୟମର ଅପବ୍ୟବହାର କରାଯାଉଥିବା ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିଲେ । ଗୌତମ ଆଦାନୀଙ୍କ କ୍ରମବିକଶିତ ‘ଆଦାନୀ ମିଡ଼ିଆ ଗୃପ’ ସେଭଳି ମତବାଦକୁ ପୁଞ୍ଜିକରି ଗଢ଼ିଉଠିବକି ତାହା ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ  ପ୍ରଶ୍ନ ।             


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ସେପ୍ଟେମ୍ୱର ୨୦୨୨


ତଥ୍ୟ:

 

Sazonov, Alexander. India’s Gautam Adani is First Asian to become world’s Third richest person – Bloombeng. Aug 30, 2022

 

https://www.bloomberg.com/news/articles/2022-08-29/india-s-adani-is-first-asian-to-become-world-s-third-richest


Who is Gautam Adani, the Third richest person in the world from India. Tatlerasia. Sept. 01, 2022

 

https://www.tatlerasia.com/power-purpose/wealth/who-is-gautam-adani-third-richest-person-in-the-world-from-india

 

Moniz, Christina. Adani Group set up wholly – owned media arm AMG Media Network. Financial Express. April 28, 2022

 

https://www.financialexpress.com/industry/adani-group-sets-up-wholly-owned-media-arm-amg-media-networks/2506039/ 

ସମ୍ୱାଦ ଟେଲିଭିଜନ ପ୍ରସାରଣରେ ଆଦାନୀ

ଭାରତରେ ସମ୍ୱାଦ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ୨୦୨୨ ଦ୍ୱିତୀୟାର୍ଦ୍ଧରେ ଆଦାନୀ ମିଡ଼ିଆ ଗୃପର ପ୍ରବେଶକୁ ଶିଳ୍ପପତିଙ୍କ ଦ୍ୱାରା ଗଣମାଧ୍ୟମ କରାୟତ ଉଦ୍ୟମ କୁହାଯାଉଥିବା ସ୍ଥଳେ ଏହି ଧାରା ବିଗତ ଶହେ ବର୍ଷ ଧରି ବଳବତ୍ତର ରହିଛି ବୋଲି ଗଣମାଧ୍ୟମ ସମର୍ଥକମାନେ ଯୁକ୍ତି ବାଢ଼ିଥାନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରୀ ସ୍ୱତ୍ତ୍ୱାଧିକାରରେ ପରିଚାଳିତ ଇଣ୍ଡିପେଣ୍ଡେଣ୍ଟ ମିଡ଼ିଆ ଟ୍ରଷ୍ଟ ସିଏନବିସି-ଟିଭି ୧୮ଓ ନିଉଜ ୧୮ ସମେତ ୨୦ ଗୋଟି ଟେଲିଭିଜନ ଚ୍ୟାନେଲ ପ୍ରସାରଣ କରୁଛି । ଆଦାନୀ ଭଳି ରିଲାଏନ୍ସ ମଧ୍ୟ ବହୁମୁଖୀ ଶିଳ୍ପ ସମ୍ରାଜ୍ୟର ଉଦ୍ୟୋକ୍ତା ।

 

ଦୀର୍ଘ ଅତୀତରେ ୧୮୮୮ରୁ କେରଳର ‘ମାଳାୟଳା ମନୋରମା’ର ମାଲିକ ରବର କାରଖାନା ଓ ବ୍ୟାଙ୍କ କାରବାରରେ ସଂପୃକ୍ତ ଥିଲେ । ‘ଟାଇମ୍ସ ଅଫ ଇଣ୍ଡିଆ’ ଓ ‘ଇଣ୍ଡିଆନ ଏକ୍ସପ୍ରେସ’ର ମାଲିକମାନେ ଅନ୍ୟାନ୍ୟ ବ୍ୟବସାୟରେ ସଂଶ୍ଳିଷ୍ଟ ଥିବା ହେତୁ ସମ୍ୱାଦପତ୍ରଗୁଡ଼ିକ ବ୍ୟାବସାୟିକ ସମସ୍ୟାର ସମ୍ମୁଖୀନ ହେବା ଅବସ୍ଥାରେ କ୍ଷତି ଭରଣା କରିବାରେ ସମର୍ଥ ହୋଇପାରିଥିଲେ । ଫଳରେ ସମ୍ୱାଦପତ୍ରଗୁଡ଼ିକ ତିଷ୍ଠି ପାରିଥିଲା ।

 

ଆମ ଦେଶରେ ୨୦୨୨ ଶେଷ ସୁଦ୍ଧା ହିନ୍ଦି ଓ ଇଂଲିଶ ସମେତ ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରାୟ ୪୦୦ ଗୋଟି ସମ୍ୱାଦ ଟେଲିଭିଜନ ଚ୍ୟାନେଲ ସକ୍ରିୟ ଥିବା ବେଳେ ଅନ୍ତତଃ ଅର୍ଦ୍ଧେକ ସମ୍ୱାଦ ସଂସ୍ଥା ଭିନ୍ନ ଅନ୍ୟାନ୍ୟ ଶିଳ୍ପରେ ସଂପୃକ୍ତ ମାଲିକଙ୍କ ଦ୍ୱାରା ପରିଚାଳିତ । ସେମାନଙ୍କ ନିମନ୍ତେ ସମ୍ୱାଦ ଟେଲିଭିଜନ ପ୍ରସାରଣରେ ଉପସ୍ଥିତି ରାଜନୀତିକ ପକ୍ଷପାତିତା, ସାର୍ବଜନୀନ କ୍ଷେତ୍ରରେ ଗୁରୁତ୍ୱ ହାସଲ କିମ୍ୱା ଗ୍ଳାମର ସାଉଁଟିବା ଲାଗି ଉଦ୍ଧିଷ୍ଟ । ଏହି କାରଣରୁ ଭାରତୀୟ ଟେଲିଭିଜନ ସମ୍ୱାଦ ନିମ୍ନ ମାନର କାର୍ଯ୍ୟକ୍ରମ ପ୍ରସାରଣରେ ସୀମାବଦ୍ଧ ରହୁଥିବା ଏବଂ ଟେଲିଭିଜନ ସାମ୍ୱାଦିକତାର ଗୁଣାତ୍ମକ ବିକାଶ ପ୍ରତି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଥାଏ ।

 

ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଅଗ୍ରଣୀ ଇଂଲିଶ ଓ ହିନ୍ଦି ସମ୍ୱାଦ ଟେଲିଭିଜନ ଚ୍ୟାନେଲ ନୂଆଦିଲ୍ଲୀ ଟେଲିଭିଜନର ଅଂଶଧନ ଆଦାନୀ ମିଡ଼ିଆ ଗୃପ ଅଧିଗ୍ରହଣକୁ ନେଇ ସମସ୍ୟା ଉପୁଜିଥିବା ଅବସରରେ ବିବାଦୀୟ ଅଂଶଧନ ବିଶ୍ୱପ୍ରଧାନ କମରସିଆଲ ପ୍ରାଇଭେଟ ଲିମିଟେଡ଼ ଅଧୀନରେ ଥିବା ଏବଂ ଉକ୍ତ ସଂସ୍ଥା ମୌଳିକଭାବେ ରିଲାଏନ୍ସ ଇଣ୍ଡାଷ୍ଟ୍ରୀଜ ଦ୍ୱାରା ସମର୍ଥିତ ବୋଲି କୁହାଯାଏ । ଏହି ଦୃଷ୍ଟିକୋଣରୁ ବିଚାର କଲେ ନୂଆଦିଲ୍ଲୀ ଟେଲିଭିଜନ ଅଂଶଧନ ଅଦଳବଦଳ ଦୁଇ ବୃହତ ଶିଳ୍ପ ସଂସ୍ଥା ମଧ୍ୟରେ ହୋଇଥିବା ସୁସ୍ପଷ୍ଟ ।

 

ଆଦାନୀ ପକ୍ଷରୁ ୨୦୨୨ ଅଗଷ୍ଟ ମାସରେ ବିଶ୍ୱପ୍ରଧାନ ଅଧିଗ୍ରହଣ କରାଯାଇଥିଲା । ବିଶ୍ୱପ୍ରଧାନ ନୂଆଦିଲ୍ଲୀ ଟେଲିଭିଜନରେ ୨୯ ପ୍ରତିଶତ ଅର୍ଥ ଲଗାଣ କରିଥିବା ରାଧିକା ରାୟ ପ୍ରଣୟ ରାୟ ନିବେଶ ସଂସ୍ଥାକୁ ଅକ୍ତିଆର କରାଯିବା ପରେ ନଭେମ୍ୱର ମାସ ଶେଷରେ ବଜାରରୁ ୨୬ ପ୍ରତିଶତ ଅଂଶଧନ କ୍ରୟ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଡ଼ିସେମ୍ୱର ପ୍ରଥମ ସପ୍ତାହ ସୁଦ୍ଧା ନୂଆଦିଲ୍ଲୀ ଟେଲିଭିଜନରେ ଆଦାନୀର ଅଂଶଧନ ୩୭ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ୫୫ ପ୍ରତିଶତକୁ ବୃଦ୍ଧି ପାଇବା ନିଶ୍ଚିତ ଥିବା ଆଶା କରାଯାଉଛି ।

 

ଫଳରେ ନୂଆଦିଲ୍ଲୀ ଟେଲିଭିଜନରେ ଆଦାନୀ ମିଡ଼ିଆ ଗୃପ ସର୍ବାଧିକ ଅଂଶଧନ ଅଧିକାରୀ ସାବ୍ୟସ୍ତ ହୋଇଛି । ନୂଆଦିଲ୍ଲୀ ଟେଲିଭିଜନ ପ୍ରତିଷ୍ଠାତା ପ୍ରଣୟ ରାୟ ଓ ତାଙ୍କରି ପତ୍ନୀ ରାଧିକା ରାୟ ଏହି ଆଶ୍ୱସ୍ତିକର ପରିବେଶରେ ନଭେମ୍ୱର ଶେଷ ସପ୍ତାହରେ ନୂଆଦିଲ୍ଲୀ ଟେଲିଭିଜନ ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଥିବା ସ୍ଥଳେ ଆଦାନୀ ମିଡ଼ିଆ ଗୃପର ମୁଖ୍ୟ ବୈଷୟିକ କାର୍ଯ୍ୟକର୍ତ୍ତା ସୁଦୀପ୍ତ ଭଟ୍ଟାଚାର୍ଯ୍ୟ, କାର୍ଯ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ସାମ୍ୱାଦିକ ସଞ୍ଜୟ ପୁଗାଲିଆ ଓ ଅନ୍ୟଜଣେ ମହିଳା ସାମ୍ୱାଦିକ ସିଂଥଲ ଚେଙ୍ଗଲଭରାୟନ ପରିଚାଳନା ପରିଷଦର ନିର୍ଦ୍ଧେଶକ ଭାବେ ପ୍ରବେଶ କରିଥିଲେ ।

 

ଆଦାନୀ ଶିଳ୍ପ ସଂସ୍ଥାର ମୁଖ୍ୟ ଗୌତମ ଆଦାନୀଙ୍କ କେନ୍ଦ୍ର ସରକାର ଓ ଶାସକ ଦଳ ସହ ଉତ୍ତମ ସଂପର୍କ ରହିଛି ଏବଂ ତାହା ପ୍ରକାଶ୍ୟରେ ସେ ସ୍ୱୀକାର କରିଥାନ୍ତି । ନୂଆଦିଲ୍ଲୀ ଟେଲିଭିଜନର ଅଂଶଧନ ଅଧିଗ୍ରହଣ ଅବସରରେ ପ୍ରମୁଖ ବୈଦେଶିକ ଅର୍ଥନୀତି ସମ୍ୱାଦପତ୍ର ଫାଇନାନ୍ସସିଆଲ ଟାଇମ୍ସକୁ ସାକ୍ଷାତକାରରେ ଆଦାନୀ ଗଣମାଧ୍ୟମ ପ୍ରତି ନିଜ ପୂର୍ବ-ପ୍ରଦତ୍ତ ଦୃଷ୍ଟିକୋଣ ଦୋହରାଇଥିଲେ । ସେ କହିଥିଲେ ଯେ ଗଣମାଧ୍ୟମର ସ୍ୱାଧୀନତାର ଅର୍ଥ ସରକାରଙ୍କ ମନ୍ଦ ଆଚ଼ରଣକୁ ସମାଲୋଚ଼ନା କରିବା ସହ ଉତ୍ତମ ଆଚ଼ରଣକୁ ପ୍ରଶଂସା କରିବା ସାହସକୁ ବୁଝାଇଥାଏ ।

 

ସାକ୍ଷାତକାରର ତିନିଗୋଟି ଉଲ୍ଲେଖଯୋଗ୍ୟ ବକ୍ତବ୍ୟ ମଧ୍ୟରେ ପ୍ରଥମତଃ ସୁଚାଇଥିଲେ ଯେ ଏହି ଅଂଶଧନ ଅଧିଗ୍ରହଣକୁ ସେ ବ୍ୟାବସାୟିକ ସୁଯୋଗ ବଦଳରେ ଉତ୍ତରଦାୟିତ୍ୱ ବିବେଚନା କରନ୍ତି । ଦ୍ୱିତୀୟତଃ, ତାଙ୍କରି ଲକ୍ଷ୍ୟ ଫାଇନାନ୍ସସିଆଲ ଟାଇମ୍ସ ବା ଆଲ-ଜଜିରା ଭଳି ଉନ୍ନତମାନର ଆନ୍ତର୍ଜାତିକ ଗଣମାଧ୍ୟମ ମଞ୍ଚ ଗଢ଼ି ତୋଳିବା ନିମନ୍ତେ ଉଦ୍ଦିଷ୍ଟ । ତୃତୀୟତଃ, ଆଦାନୀ ଶିଳ୍ପ ପ୍ରତିଷ୍ଠାନ ସମୂହ ଅଠର ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟାୟନ କରାଯାଉଥିବା ସ୍ଥଳେ ଆଦାନୀ ମିଡ଼ିଆ ଗୃପରେ ନିବେଶ ପରିମାଣ ନଗଣ୍ୟ ବିବେଚ଼ିତ ହେବ ।

 

ଗୌତମ ଆଦାନୀଙ୍କ ଫାଇନାନ୍ସସିଆଲ ଟାଇମ୍ସ ସାକ୍ଷାତକାର ଅନୁଶୀଳନ କଲେ କେତେଗୋଟି ପ୍ରଶ୍ନ ମନକୁ ଆସିଥାଏ । ପ୍ରଥମତଃ, ନୂଆଦିଲ୍ଲୀ ଟେଲିଭିଜନର ଅଂଶଧନ କ୍ରୟ ଓ ଆଦାନୀ ମିଡ଼ିଆ ଗୃପର ଭବିଷ୍ୟତ ପଦକ୍ଷେପ ମୁଖ୍ୟତଃ ସମ୍ୱାଦଭିତ୍ତିକ ମଞ୍ଚରୁ ସେ ଲାଭ ବଦଳରେ ଲୋକସଂପର୍କର ସେତୁ ଗଢ଼ିତୋଳୁଛନ୍ତି କି ? ଦ୍ୱିତୀୟତଃ, ଆଦାନୀ ଗୃପ ପକ୍ଷରୁ ଇସ୍ରାଏଲ ଓ ଶ୍ରୀଲଙ୍କାରେ ବନ୍ଦର ନିର୍ମାଣ କାର୍ଯ୍ୟରେ ଅଂଶଗ୍ରହଣ କରୁଥିବା ତଥା ଆଫ୍ରିକାରେ ନିବେଶ କରିବାକୁ ପ୍ରସ୍ତୁତ ହେଉଥିବା ଅବସରରେ ଏକ ଆନ୍ତର୍ଜାତିକ ସମ୍ୱାଦ ମଞ୍ଚ ଗଠନ ଲାଗି ଅଭିଳାଷ ରଖୁଛନ୍ତି କି ? ତୃତୀୟତଃ, ଅନ୍ୟାନ୍ୟ ଶିଳ୍ପରୁ ବିପୁଳ ଲାଭ ପାଉଥିବା ହେତୁ ଗଣମାଧ୍ୟମ ମଞ୍ଚରେ ଦୀର୍ଘକାଳୀନ ନିବେଶ ଓ କ୍ଷତିକୁ ସତରେ ସେ ଭ୍ରୃକ୍ଷେପ କରୁ ନାହାନ୍ତି କି ?

 

ଗଣମାଧ୍ୟମ ସମୀକ୍ଷକ ବନିତା କୋହଲି-ଖଣ୍ଡାରକର ଆଦାନୀଙ୍କ ନୂଆଦିଲ୍ଲୀ ଟେଲିଭିଜନ ଅଂଶଧନ ଅଧିଗ୍ରହଣକୁ ଲକ୍ଷ୍ୟକରି କହିଛନ୍ତି ଯେ ବଡ଼ ଶିଳ୍ପପତିମାନେ ସମ୍ୱାଦ ଟେଲିଭିଜନରେ ପ୍ରବେଶ କଲେ ବିପୁଳ ନିବେଶ ସମ୍ଭାବନା ରହିଛି । ପରୋକ୍ଷରେ ଏହା ସମ୍ୱାଦ ମଞ୍ଚର ବିକାଶରେ ରୂପାନ୍ତରିତ ହେବ । କିନ୍ତୁ ପ୍ରଶ୍ନ ଉଠେ, ସମ୍ୱାଦ ମଞ୍ଚ ଯଦି ପ୍ରଚାର-ସର୍ବସ୍ୱ ଲୋକ-ସଂପର୍କ ମଞ୍ଚରେ ପରିଣତ ହୁଏ ତେବେ ସମକାଳୀନ ସାମ୍ୱାଦିକତା ପରିଧିରେ ବିପୁଳ କ୍ଷତି ପହୁଞ୍ଚାଇବ ନାହିଁକି ? ସାମ୍ୱାଦିକତା ବ୍ୟବସାୟ କମ ସୃଜନ ବହୁଳ ହେବା ଦରକାର । ଚ଼ତୁର୍ଥ ସ୍ତମ୍ଭ ଯଦି ପଞ୍ଚମ ସ୍ତମ୍ଭ ପାଲଟିବ ତେବେ ଗଣତନ୍ତ୍ରର ସୁରକ୍ଷାରେ ସମ୍ୱାଦମଞ୍ଚର ଯୋଗଦାନ ବିପନ୍ନ ସ୍ଥିତିରେ ପହଞ୍ଚିବ ନାହିଁ କି ? ଏହି କ୍ଷେତ୍ରରେ ବୈଦେଶିକ ରାଷ୍ଟ୍ରଗୁଡ଼ିକର ଘଟଣାକ୍ରମରୁ ଆମେ କ’ଣ ଶିଖିବା ?

 

ଭାରତରେ ମୁଦ୍ରଣ, ଟେଲିଭିଜନ ଓ ଅନଲାଇନ ସମସ୍ତ ବର୍ଗର ସମ୍ୱାଦ ମଞ୍ଚଗୁଡ଼ିକ ବିଜ୍ଞାପନ-ଆଶ୍ରିତ ମଡ଼େଲରେ ବିକଶିତ ହୋଇ ଆସିଥିବା ସ୍ଥଳେ ଦେଶର ବାର୍ଷିକ ତିନିରୁ ଚାରି ହଜାର କୋଟି ବିଜ୍ଞାପନ ବ୍ୟୟରୁ ସମ୍ୱାଦ ଭାଗରେ ମାତ୍ର ପାଞ୍ଚ ପ୍ରତିଶତ ପଡ଼େ । ଟେଲିଭିଜନ ପ୍ରସାରଣରୁ ଆୟ ବାର୍ଷିକ ୭୨ ହଜାର କୋଟି ଟଙ୍କା ହିସାବ କରାଯାଉଥିବା ସ୍ଥଳେ ସମ୍ୱାଦ ଟେଲିଭିଜନ ପ୍ରସାରଣର ଆୟ ମାତ୍ର ଚାରି ହଜାର କୋଟି । ମନୋରଞ୍ଜନ ଚ୍ୟାନେଲ ‘ଜେନେରାଲ ଏଣ୍ଟରଟେନମେଣ୍ଟ’ର ବିଜ୍ଞାପନ ଦର ତୁଳନାରେ ସମ୍ୱାଦ ଚ୍ୟାନେଲର ବିଜ୍ଞାପନ ଦର ୩୦ ପ୍ରତିଶତ କମ ।

 

ଏହି ପରିବେଶରେ ଆମ ଦେଶରେ ସମ୍ୱାଦ ଟେଲିଭିଜନ ପ୍ରସାରଣରୁ ବ୍ୟାବସାୟିକ ଲାଭ ଆଶା କରାଯାଉନାହିଁ । ରାଜନୀତିକ, ସାମାଜିକ ଓ ସାଂସ୍କୃତିକ ପ୍ରଭାବ ହିଁ ସମ୍ୱାଦ ଟେଲିଭିଜନ ପ୍ରସାରଣର ମୂଳ ଭିତ୍ତି । ଗୁଣାତ୍ମକ ସମ୍ୱାଦ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତି ଆର୍ଥିକ ନିବେଶ ଆବଶ୍ୟକ କରୁଥିବା ସ୍ଥଳେ ବ୍ୟାବସାୟିକ କ୍ଷତି ସୃଜନର ପରିପନ୍ଥୀ । ଏହି ଜଟିଳ ପରିବେଶରେ ସମ୍ୱାଦ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ ଧନଶାଳୀଙ୍କ ପ୍ରବେଶ ଏକ ପକ୍ଷରେ ଉତ୍ସାହ ତ ଅନ୍ୟପକ୍ଷରେ ଆଶଙ୍କା ସୃଷ୍ଟି କରିବା ସ୍ୱାଭାବିକ ।              


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୬ ଡ଼ିସେମ୍ୱର ୨୦୨୨


ତଥ୍ୟ:

 

Adani is now NDTV’s largest shareholder, with control over 37% of the company / www.newslaundry.com/ Dec 05, 2022

 

https://www.newslaundry.com/2022/12/05/adani-is-now-ndtvs-largest-shareholder-with-control-over-37-of-the-company

 

If govt is right, media has to say so : Adani. The Telegraph (Kolkata Edition). November 26, 2022

 

Kohli-Khandekar, Vanita. The broken business of news broadcasting. Business Standard (Bhubaneswar Edition). December 3, 2022