ସମ୍ୱାଦ ରଚନା

 ସୃଜନ ସମ୍ପାଦନ

ସାମ୍ୱାଦିକତାର ଧର୍ମ ପାଠକ ଓ ଦର୍ଶକଙ୍କ ସମ୍ମୁଖରେ ସମକାଳୀନ ଘଟଣାବଳୀର ବିଶଦ ବିବରଣୀ ଉପସ୍ଥାପନରେ ପର୍ଯ୍ୟବସିତ । ପ୍ରତ୍ୟେକ ବିଷୟ ପ୍ରକାଶନରେ ସ୍ୱତନ୍ତ୍ର ବିଶ୍ଳେଷଣ ଓ ଉପସ୍ଥାପନ ଶୈଳୀ ପ୍ରସ୍ପୁଟିତ ହୋଇଥାଏ । ଏଭଳି ପ୍ରକ୍ରିୟାରେ କ୍ଷୀପ୍ରତା ସାମ୍ୱାଦିକତାର ଅନ୍ୟତମ ବିଭବ ।


 

ସମ୍ୱାଦ ରଚ଼ନା ନିମନ୍ତେ ବିଷୟ ନିର୍ବାଚ଼ନ ସାଧାରଣତଃ ସାମ୍ୱାଦିକମାନଙ୍କ ରୁଚ଼ି ଅନୁଯାୟୀ ସୃଜନ ଦୃଷ୍ଟିକୋଣ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଘଟଣାବଳୀ ବର୍ଣ୍ଣନାକାଳରେ ସାମ୍ୱାଦିକଙ୍କ ଜ୍ଞାନର ପରିସୀମା, ମୂଲ୍ୟବୋଧ ଓ ସମ୍ୱାଦ ପ୍ରସାରଣ ସଂସ୍ଥାର ଆଭିମୁଖ୍ୟ ପ୍ରଭାବିତ କରିଥାଏ । ଏସବୁ ସତ୍ତ୍ୱେ ସାମ୍ୱାଦିକତାରେ ଉତ୍କର୍ଷତା ମୁଖ୍ୟତଃ ଏକ ସର୍ଜନଶୀଳ କଳା ରୂପେ ବିବେଚ଼ିତ ।


 

ପାଶ୍ଚାତ୍ୟ ସାମ୍ୱାଦିକତା ପରମ୍ପରା ସମ୍ୱାଦ ରଚ଼ନାକୁ ମୁଖ୍ୟତଃ ପାଞ୍ଚଗୋଟି ପ୍ରଶ୍ନ ସହ ଯୋଡ଼ି ଥାଏ । ଚ଼ାରି ଡବ୍ଲ୍ୟୁ ଓ ଗୋଟିଏ ଏଚ଼, ଅର୍ଥାତ କିଏ (ହୁ), କ’ଣ (ହ୍ୱାଟ), କେବେ (ୱେନ), କେଉଁଠାରେ (ୱେର) ଓ କିପରି (ହାଉ) । ବେଡ଼ ହେରମାନ ନାମକ ଜଣେ ତତ୍ତ୍ୱବିତ ‘ହେରମାନ ବ୍ରେନ ଡ଼ୋମିନାନ୍ସ ଇନଷ୍ଟୃମେଣ୍ଟ’ ଶୀର୍ଷକ ଉପସ୍ଥାପନରେ ମନୁଷ୍ୟର ମସ୍ତିଷ୍କର କାର୍ଯ୍ୟକାରୀ ଅଂଶଗୁଡ଼ିକୁ ଚ଼ିହ୍ନିତ କରିଛନ୍ତି । ସାମ୍ୱାଦିକତା ସୃଜନ ପ୍ରକ୍ରିୟା ମସ୍ତିଷ୍କର କେଉଁ କେଉଁ କୋଣରେ ସମାହିତ ହୋଇଥାଏ ‘କଲମ୍ୱିଆ ଜର୍ଣ୍ଣାଲିଜମ ରିଭ୍ୟୁ’ର ୨୦୧୫ ମେ-ଜୁନ ସଂସ୍କରଣରେ ଟେରୀ ୱାଶିଂଟନ ‘ମେଟରସ ଅଫ ଦି ମାଇଣ୍ଡ’ ରଚ଼ନାରେ ଅନୁଶୀଳନ କରିଥିଲେ ।


 

‘ବ୍ରେନ ଡ଼ୋମିନାନ୍ସ ଇନଷ୍ଟୃମେଣ୍ଟ’ ବର୍ଣ୍ଣନା ଅନୁଯାୟୀ ମସ୍ତିଷ୍କର ଡ଼ାହାଣ ପାର୍ଶ୍ୱ ସୃଜନଶୀଳ ଓ କଳାତ୍ମକ ତଥା ବାମ ପାର୍ଶ୍ୱ ବିଚ଼ାରଶୀଳ ଓ ସମସ୍ୟା ସମାଧାନ କାର୍ଯ୍ୟ କରିଥାଏ । ସାମ୍ୱାଦିକତା ବୃତ୍ତିରେ ସମ୍ୱାଦିକଙ୍କ ମସ୍ତିଷ୍କ ଉଭୟ ଡ଼ାହାଣ ଓ ବାମ ପାର୍ଶ୍ୱକାର୍ଯ୍ୟକ୍ଷମ ହୋଇଥାଏ ।


 

ମସ୍ତିଷ୍କର ବାମ ପାର୍ଶ୍ୱ ଉପରିଭାଗ ସମ୍ୱାଦ ରଚ଼ନା ଅବସରରେ‘କ’ଣ (ହ୍ୱାଟ)’ ପ୍ରଶ୍ନର ଉତ୍ତର ଖୋଜିଥାଏ । ଏହା ଯୁକ୍ତିଯୁକ୍ତ (ଲଜିକାଲ), ସମାଲୋଚ଼ନାଧର୍ମୀ (କ୍ରିଟିକାଲ), ବାସ୍ତବାଭିମୁଖୀ (ରିଆଲିଷ୍ଟିକ), ମୀମାଂସାଧର୍ମୀ (ପ୍ରବଲମ ସଲଭିଂ), ବୈଷୟିକ (ଟେକିନିକାଲ) ଓ ବିଶ୍ଳେଷଣାତ୍ମକ (ଏନାଲିଟିକାଲ) ଦିଗଗୁଡ଼ିକୁ ସୂଚ଼ିତ କରିଥାଏ । ବାମ ପାର୍ଶ୍ୱ ତଳଭାଗ ‘କିପରି (ହାଉ)’ ପ୍ରଶ୍ନର ଉତ୍ତର ଖୋଜିଥାଏ । ଏହା ସାଂଗଠନିକ (ଅର୍ଗାନାଇଜସ), ଯୋଜନାବଦ୍ଧ (ପ୍ଳାନସ), କାର୍ଯ୍ୟଧାରା ପ୍ରଯୋଜନା (ଏଷ୍ଟାବ୍ଳିସିଂ ପ୍ରେସିଡ୍ୟୁର), ତୁରନ୍ତ (ପ୍ରମ୍ପଟ / ଟାଇମଲି), ବିଶ୍ୱାସନୀୟ (ରିଲାଏବଲ) ଓ ପ୍ରତିଷେଧାତ୍ମକ (ଟେକସ ପ୍ରିଭେଣ୍ଟଉଭ ଆକ୍ସନ) ଦିଗପ୍ରତି ଗୁରୁତ୍ୱାରୋପ କରିଥାଏ ।


 

ସେହିପରି ମସ୍ତିଷ୍କର ଡ଼ାହାଣ ପାର୍ଶ୍ୱର ଉପରିଭାଗ ‘କାହିଁକି (ହ୍ୱାଇ)’ ପ୍ରଶ୍ନର ଉତ୍ତର ଖୋଜିଥାଏ । ସୃଜନ ପ୍ରକ୍ରିୟାରେ ଅନିସନ୍ଧିତ୍ସୁ (କ୍ୟୁରିଏସ), ଆବେଗବଶତଃ (ଇମ୍ପେଟ୍ୟୁସ), ଆଶ୍ଚର୍ଯ୍ୟାତ୍ମକ (ଲାଇକସ ସପ୍ରାଇଜସ), ହସ୍ତକ୍ଷେପ (ଇଣ୍ଟରଫିଅରସ), ବିପଦସଂକୁଳ (ଟେକସ ରିସ୍କସ) ଓ ନୀତିବର୍ହିଭୂତ (ବ୍ରେକସ ରୁଲ) ଦିଗରେ ସହଯୋଗ କରିଥାଏ । ଡ଼ାହାଣ ପାର୍ଶ୍ୱର ତଳଭାଗ ‘କିଏ (ହୁ)’ ପ୍ରଶ୍ନର ଉତ୍ତର ଖୋଜିଥାଏ । ଏହା ସହାୟକ (ସାପୋର୍ଟିଉଭ), ସ୍ୱର୍ଶକାତର (ସେନସିଟିଉଭ), ଶିକ୍ଷାପ୍ରଦ (ଟିଚସ), ସଶକ୍ତିକରଣ (ଏମପାୱାରସ), ଲୋକାଭିମୁଖୀ (ପିଉପଲ ଓରିଏଣ୍ଟେଡ଼) ଓ ସ୍ୱୀକାରଶୀଳ (ଏକନୋଲେଜସ) ଭୂମିକା ନିର୍ବାହ କରିଥାଏ ।


 

ସାଧାରଣ କ୍ଷେତ୍ରରେ ଭିନ୍ନ ଭିନ୍ନ ଘଟଣାକୁ ମନୁଷ୍ୟ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ବିଚ଼ାର କରିଥାଏ । ସୃଜନ କ୍ଷେତ୍ରରେ ଆପତତଃ ତାହାହିଁ ଦେଖିବାକୁ ମିଳେ। ସାମ୍ୱାଦିକ ବ୍ୟକ୍ତିଗତଭାବେ ଗୋଟିଏ ଘଟଣାକୁ ଯେଉଁ ପର୍ଯ୍ୟାୟରେ ବିଚ଼ାର କରିଥାଏ ତାହାର ରଚ଼ନାରେ ସେହି ଦୃଷ୍ଟିକୋଣ ପ୍ରତିଫଳିତ ହୋଇଥାଏ । ସାମ୍ୱାଦିକର ବିଚ଼ାର ପ୍ରକ୍ରିୟା ନିଜ ମସ୍ତିଷ୍କଦ୍ୱାରା ନିୟନ୍ତ୍ରିତ ହେଉଥିବାସ୍ଥଳେ ମସ୍ତିଷ୍କ ପରିଧିର ଚ଼ାରିଗୋଟି ଭାଗ ଭିନ୍ନ ଭିନ୍ନ ସାମାଜିକ ଦିଗପ୍ରତି ଗୁରତ୍ୱାରୋପ କରିଥାଏ । ଘଟଣା ପ୍ରତି ସାମ୍ୱାଦିକର ବ୍ୟକ୍ତିଗତ ଦୃଷ୍ଟିକୋଣ କେବଳ ବିଷୟ ବିନ୍ୟାସରେ ସୀମାବଦ୍ଧ ନରହି ବର୍ଣ୍ଣନା ଶୈଳୀ ନିର୍ଦ୍ଧାରଣକୁ ମଧ୍ୟ ପ୍ରଭାବିତ କରୁଥିବା ସୁନିଶ୍ଚିତ ।


 

ହେରମେନଙ୍କ ଉପପାଦ୍ୟ ଅନୁଯାୟୀ ଗୋଟିଏ ଘଟଣାକୁ ଚ଼ାରିଜଣ ସାମ୍ୱାଦିକ ଚ଼ାରିପ୍ରକାରେ ଗୁରୁତ୍ୱାରୋପ, ବର୍ଣ୍ଣନା ତଥା ଉପସ୍ଥାପନ ଶୈଳୀ ନିର୍ଦ୍ଧାରଣ କରିଥାନ୍ତି । ଏହା ପ୍ରାକୃତିକ । ତେବେ ବାସ୍ତବ କ୍ଷେତ୍ରରେ ଆମେ ଓଡ଼ିଆ ସାମ୍ୱାଦିକତାର ଉଦାହରଣ ବିଚାର କଲାବେଳେ ଚ଼ାରିଗୋଟି ଭିନ୍ନ ସମ୍ୱାଦପତ୍ରରେ ପ୍ରକାଶିତ ଗୋଟିଏ ଘଟଣାର ବର୍ଣ୍ଣନା ପ୍ରାୟତଃ ଏକା ଦେଖିବାକୁ ପାଇଥାଉ । ଏହାର ମୁଖ୍ୟ କାରଣ ହେଲା ସେହି ସବୁ ସମ୍ୱାଦ ରଚ଼ନାରେ ସାମ୍ୱାଦିକମାନେ ମୌଳିକ ସାମ୍ୱାଦିକତା ଶୈଳୀ ଅବଲମ୍ୱନ ନକରି ମାତ୍ରାଧିକଭାବେ ପ୍ରେସ ବିଜ୍ଞପ୍ତି ଉପରେ ନିର୍ଭରଶୀଳ ହୋଇପଡ଼ିଥାନ୍ତି ବୋଲି କହିବାକୁ ହେବ ।


 

ସମ୍ୱାଦ ସଂଗ୍ରହ ତଥା ରଚ଼ନା କ୍ଷେତ୍ରରେ କୃତ୍ରିମ ପଦ୍ଧତି ଗ୍ରହଣ ସାମ୍ୱାଦିକମାନେ ଯଥାସଂଭବ ଏଡ଼ାଇବାଲାଗି ଉଦ୍ୟମ କରିବା ଆବଶ୍ୟକ । ଏଥିଲାଗି ସମ୍ପାଦକୀୟ ବିଭାଗର କର୍ତ୍ତ୍ୱପକ୍ଷଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମ୍ୱାଦଦାତାମାନେ ନିଜ ଦ୍ୱାରା ପ୍ରସ୍ତୁତ ସମ୍ୱାଦ ସମ୍ପାଦକୀୟ ବିଭାଗର ସମ୍ମତ୍ତିପରେ ପ୍ରକାଶିତ ହେଉଥିବା ହେତୁ ସମ୍ୱାଦ ରଚ଼ନାରେ ମୌଳିକତା ପରିସ୍ପୁଟନ ନିମନ୍ତେ ସମ୍ପାଦକମାନେ ତତ୍ପର ହେଲେ ସଂପୃକ୍ତ ସମ୍ୱାଦପତ୍ରର ଆଙ୍ଗୀକରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସଂଭବପର ।


 

ଓଡ଼ିଆ ସମ୍ୱାଦପତ୍ର କ୍ଷେତ୍ରରେ କେବଳ ରାଜନୀତିକ ପକ୍ଷଭୁକ୍ତତା ସଂପୃକ୍ତ ସମ୍ୱାଦପତ୍ରରେ ସମ୍ୱାଦ ପରିବେଷଣ କ୍ଷେତ୍ରରେ ଭିନ୍ନ ଆଚ଼ରଣର ଆଭାସ ଦେଇଥାଏ । ନଚ଼େତ ସମସ୍ତ ସମ୍ୱାଦପତ୍ର ଏକକ ଆଙ୍ଗୀକର ପୃଷ୍ଠପୋଷକତା କରୁଥିବା ହେତୁ ଅନେକ ସମୟରେ ଏକାଧିକ ସମ୍ୱାଦପତ୍ର ପ୍ରକାଶନର ଆବଶ୍ୟକତା ସଂପର୍କରେ ପ୍ରଶ୍ନ ଉଠିଥାଏ । ସମ୍ୱାଦ ରଚ଼ନା ଓ ପରିବେଷଣ ଲାଗି ପ୍ରାକୃତିକ ଭାବେ ବିବିଧତା ନିମନ୍ତେ ଭରପୁର ସୁଯୋଗ ଥିବାସ୍ଥଳେ ସୃଜନତାକୁ ଅଣଦେଖା କରିବା ଦୁଃଖର ବିଷୟ । ଓଡ଼ିଆ ସମ୍ୱାଦିକତାରେ ଉତ୍କର୍ଷତା ବିକାଶ କଳ୍ପେ ପ୍ରାଥମିକ ପର୍ଯ୍ୟାୟରେ ସମ୍ୱାଦ ରଚ଼ନାରେ ମୌଳିକତା ପରିସ୍ପୁଟନ ବିଧେୟ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁନ ୨୦୧୮

ତଥ୍ୟ :

 


Washington, Teri. “Matters of the Mind”.Columbia Journalism Review. May / June 2015

ଜଟିଳ ବିଷୟବସ୍ତୁର ସାବଳୀଳ ଉପସ୍ଥାପନ

ନ୍ୟୂୟର୍କରୁ ପ୍ରକାଶିତ ‘ନ୍ୟୂୟର୍କର’ କେବଳ ଯୁକ୍ତରାଷ୍ଟ୍ର ଆମେରିକା କାହିଁକି, ସମଗ୍ର ବିଶ୍ୱର ଆଗଧାଡ଼ିର ପତ୍ରିକାମାନଙ୍କ ମଧ୍ୟରେ ଅନ୍ୟତମ । ୧୯୨୫ ମସିହାରୁ କ୍ରମାଗତଭାବେ ପ୍ରକାଶିତ ସାପ୍ତାହିକ ‘ନ୍ୟୂୟର୍କର’ ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତି ଓ ସାଂସ୍କୃତିକ ରାଜଧାନୀ ନ୍ୟୂୟର୍କର ପାଠକ ମହଲରେ ଲୋକପ୍ରିୟ ବୌଦ୍ଧିକ ପତ୍ରିକାରୂପେ ସମର୍ଥିତ । ଏହାର ମୁଦ୍ରିତ ସଂସ୍କରଣର ପ୍ରସାର ସଂଖ୍ୟା ପ୍ରାୟ ଦଶ ଲକ୍ଷ । ଏଥିରେ ନ୍ୟୂୟର୍କ ସହର ଘଟଣାପ୍ରବାହ ବିବରଣୀ ସାଙ୍ଗକୁ ପ୍ରକାଶିତ ପୁସ୍ତକ, ମଞ୍ଚସ୍ଥ ନାଟକ, ପ୍ରଦର୍ଶିତ ଚ଼ିତ୍ରକଳା ଓ ଚଳଚ଼ିତ୍ର ଇତ୍ୟାଦିର ସମୀକ୍ଷା ସ୍ଥାନ ପାଇଥାଏ । ଏତଦ୍ ବ୍ୟତୀତ ପ୍ରବନ୍ଧ, ସାହିତ୍ୟ ଓ ନନଫିକସନ ମଧ୍ୟ ସନ୍ନିବେଶିତ ହୋଇଥାଏ ।


 

‘ନ୍ୟୂୟର୍କର’ ମୋର ଅନ୍ୟତମ ପ୍ରିୟ ପତ୍ରିକା । ସମୟାନ୍ତେ ମେଟ୍ରୋ-ଟୁର ଅବଧିରେ କୋଲକାତାର ଆମେରିକାନ ଲାଇବ୍ରେରୀରେ ପୁରୁଣା ‘ନ୍ୟୂୟର୍କର’ର ପୃଷ୍ଠା ସାଉଁଟିବାରେ ମୋର ଅର୍ଦ୍ଧେକ ଅଧ୍ୟୟନ ସମୟ ବିତିଥାଏ । ଗତ କିଛି ଦିନରୁ ଇ-ମେଲ ନିଉଜଲେଟର ପ୍ରଚଳନ ପରେ ‘ନ୍ୟୂୟର୍କର’ର ଦୈନିକ ଡ଼ିଜିଟାଲ ସଂସ୍କରଣ ମୋ’ ଇନବକ୍ସରେ ପାଇବା ସୌଭାଗ୍ୟ ମିଳିଛି । ଫଳରେ ପତ୍ରିକାଟିର ସାପ୍ତାହିକ ମୁଦ୍ରିତ ସଂସ୍କରଣରେ ପ୍ରକାଶିତ କେତେକ ମୁଖ୍ୟ ରଚ଼ନା ଏମବେଡ଼େଡ଼ ପ୍ରଣାଳୀରେ ପାଠ କରିବା ସୁଯୋଗ ଉପଲବ୍ଧ ହୋଇପାରୁଛି । ଅବଶ୍ୟ ଏହି ସୁବିଧା ମାସିକ ମାତ୍ର କେତେଗୋଟି ରଚ଼ନାକୁ କ୍ଳିକରେ ସୀମିତ ରହେ । ପୁରା ପତ୍ରିକା ପାଇବା ପାଇଁ ପତ୍ରିକାର ଡ଼ିଜ଼ିଟାଲ ସଂସ୍କରଣର ଗ୍ରାହକ ଶ୍ରେଣୀଭୁକ୍ତ ହେବାକୁ ପଡ଼େ ।


 

‘ନ୍ୟୂୟର୍କର’ ୨୦୧୭ ମସିହା ସେପ୍ଟେମ୍ୱର ୧୧ ତାରିଖ ମୁଦ୍ରିତ ସଂସ୍କରଣରେ ପ୍ରକାଶିତ ସିଦ୍ଧାର୍ଥ ମୁଖାର୍ଜୀଙ୍କ କ୍ୟାନସର ସଂପର୍କୀତ ଏକ ରଚ଼ନା ସେପ୍ଟେମ୍ୱର ୬ ତାରିଖ ଦିନ ପଢ଼ିବାର ସୁଯୋଗ ପାଇଥିଲି । ସିଦ୍ଧାର୍ଥ ମୁଖାର୍ଜୀଙ୍କ ନାମ ୨୦୧୧ ମସିହାରେ କ୍ୟାନସର ସଂପର୍କରେ ନନଫିକସନ ପୁସ୍ତକ ପାଇଁ ପୁଲିଜର ପୁରସ୍କାର ପାଇବା ଅବସରରେ ବେଶ ଚର୍ଚ୍ଚିତ ହୋଇଥିଲା । ତେବେ ‘ଦି ଏମ୍ପରର ଅଫ ଆଲ ମେଲାଡ଼ିସ : ଏ ବାୟୋଗ୍ରାଫି ଅଫ କ୍ୟାନସର’ ଭଳି ପୁସ୍ତକ ପଢ଼ିବା ନିମନ୍ତେ ସମୟ ବାହାର କରିପାରି ନଥିଲି । ଏ ଯାଏଁ ସେହି ପୁସ୍ତକ ପଢ଼ିବା ମୋର ୱିସଲିଷ୍ଟରେ ରହିଆସିଛି ।


 

୨୦୧୬ ଖରାଦିନ କୋଲକାତା-ଟୁର ଅବସରରେ ‘ନ୍ୟୂୟର୍କର’ର ସଂଭବତଃ ଫେବୃୟାରୀ ମାସ ସଂଖ୍ୟାରେ ସିଦ୍ଧାର୍ଥ ମୁଖାର୍ଜୀଙ୍କ ପ୍ରକାଶନ୍ମୁଖୀ ତୃତୀୟ ପୁସ୍ତକ ‘ଜିନ’ର ଏକ ଏକଷ୍ଟ୍ରାଟ ପଢ଼ିବାର ସୁଯୋଗ ମିଳିଥିଲା । ସେଥିରେ ସେ ନିଜ ପରିବାର ଉଦାହରଣ ଦେଇ ମାନସିକ ରୋଗ କିପରି ବଂଶଗତଭାବେ ସଂପ୍ରସାରିତ ହୋଇଥାଏ ଏବଂ ଜିନ ଉପରେ ନିର୍ଭରଶୀଳ ତାହା ପ୍ରାଞ୍ଜଳଭାବେ ବର୍ଣ୍ଣନା କରିଥିଲେ । ବ୍ରହ୍ମପୁର ଫେରି ଭ୍ରମଣ ଅଭିଜ୍ଞତା ବର୍ଣ୍ଣନାରେ ମୋର ଜଣେ ବିଲଡ଼ର ବନ୍ଧୁଙ୍କୁ ଏ ସଂପର୍କରେ କହିଥିଲି । ପୁସ୍ତକଟି ମେ ମାସରେ ଭାରତରେ ପ୍ରକାଶିତ ହେଲା । ବିଲଡ଼ର ବନ୍ଧୁ ଆମେଜନରୁ ଖଣ୍ଡିଏ ହାର୍ଡ଼ବାଉଣ୍ଡ ପୁସ୍ତକ କିଣି ଆଣି ମୋତେ ପଢିବାକୁ ଦେଇଥିଲେ । ସେଠାରୁ ସିଦ୍ଧାର୍ଥ ମୁଖାର୍ଜୀଙ୍କ ଲେଖାସହ ମୋର ପରିଚ଼ିତି ।


 

ସିଦ୍ଧାର୍ଥ ନୂଆଦିଲ୍ଲୀରେ ଜନ୍ମିତ ନ୍ୟୂୟର୍କରେ ଅବସ୍ଥାପିତ ୪୬ ବର୍ଷ ବୟସ୍କ କ୍ୟାନସର ଚ଼ିକିତ୍ସକ । ସେ କଲମ୍ୱିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ରୂପେ କାର୍ଯ୍ୟରତ । ଷ୍ଟାନଫୋର୍ଡ଼, ଅକ୍ସଫୋର୍ଡ ଓ ହାରୱାର୍ଡ଼ରେ ପ୍ରଶିକ୍ଷିତ ସିଦ୍ଧାର୍ଥ କ୍ୟାନସର ଓ ଜିନ ଉପରେ ଗବେଷଣାରତ ଏବଂ ଏହି ଦୁଇ ବିଷୟ ସମେତ ୨୦୧୫ରେ ‘ଦି ଲ ଅଫ ମେଡ଼ିସେନ : ଫିଲଡ଼ ନୋଟସ ଫ୍ରମ ଏନ ଅନସଟର୍ନି ସାଇନ୍ସ’ ନାମକ ଏକ ପୁସ୍ତକ ପ୍ରକାଶ କରିଛନ୍ତି ।


 

ସିଦ୍ଧାର୍ଥଙ୍କ ରଚ଼ନାଶୈଳୀର ବିଶେଷତ୍ୱ କ୍ୟାନସର ବା ଜିନ ଭଳି ଚ଼ିକିତ୍ସା ବିଜ୍ଞାନର ଅତ୍ୟାଧୁନିକ ତଥା ଜଟିଳ ତତ୍ତ୍ୱମାନ ସାଧାରଣ ପାଠକଙ୍କ ନିମନ୍ତେ ଦୃଷ୍ଟିଆକର୍ଷକ ତଥା ବୋଧଗମ୍ୟ ଭାଷାରେ ଉପସ୍ଥାପନ କରିବା ଦକ୍ଷତାରେ ପର୍ଯ୍ୟବେସିତ । ତାଙ୍କରି ରଚ଼ନା ଅନୁଶୀଳନ କରିବାଦ୍ୱାରା ଆଗ୍ରହୀ ସାମ୍ୱାଦିକମାନେ ଏକପକ୍ଷରେ ସାଂପ୍ରତିକ ଚ଼ିକିତ୍ସା ବିଜ୍ଞାନରେ ଚର୍ଚ୍ଚିତ କେତେକ ନୂତନ ଦିଗ ସଂପର୍କରେ ଅବହିତ ହୋଇପାରିବେ ଏବଂ ଅନ୍ୟପକ୍ଷରେ ଅତ୍ୟନ୍ତ ଜଟିଳ ବିଷୟବସ୍ତୁ କିପରି ବୋଧଗମ୍ୟ ସାବଲୀଳ ଭାବେ ଉପସ୍ଥାପନ କରିହୁଏ ସେହିଭଳି ଶୈଳୀର ଉଦାହରଣ ସହ ପରିଚ଼ିତ ହୋଇପାରିବେ ।


 

ଏଭଳି ରଚ଼ନା ପ୍ରସ୍ତୁତି ଅବସରରେ କେତେଗୋଟି ଦିଗପ୍ରତି ଆମକୁ ପ୍ରଥମରୁ ସଜାଗ ରହିବାକୁ ପଡ଼ିବ । ପ୍ରଥମତଃ ଏକ ବୃହତପାଠକ ଶ୍ରେଣୀଙ୍କଠାରେ ପହଞ୍ଚିବାକୁ ହେଲେ ରଚ଼ନାର ବିଷୟବସ୍ତୁ ସମସାମୟିକ, ଦୃଷ୍ଟିଆକର୍ଷଣକାରୀ ଏବଂ ସର୍ବସାଧାରଣ ଜ୍ଞାନପରିସର ବୃଦ୍ଧି ଲାଗି ଉପଯୋଗୀ ହୋଇଥିବା ଆବଶ୍ୟକ । ଏସବୁ ବିଭବ ବିନା ପତ୍ରପତ୍ରିକା ପାଇଁ ରଚ଼ନା ଅସଂଭବ । ଯେକୌଣସି ଗବେଷଣାଭିତ୍ତିକ ରଚ଼ନା ବିଷୟଭିତ୍ତିକ ଜର୍ଣ୍ଣାଲ ପାଇଁ ଉପଯୁକ୍ତ ହୋଇପାରେ, କିନ୍ତୁ ବହୁଳ ପ୍ରସାରିତ ପତ୍ରପତ୍ରିକାରେ ସ୍ଥାନିତ କରାଯାଇପାରେନା । ଉପସ୍ଥାପନ ଶୈଳୀ ସଂପର୍କରେ ଜ୍ଞାନ ଆହରଣ ନିମନ୍ତେ ଉନ୍ନତମାନର ରଚ଼ନା ଅନୁଧ୍ୟାନ ଏକ ସରଳ ଉପାୟ । ଏ କ୍ଷେତ୍ରରେ ଅନ୍ୟାନ୍ୟ ବହୁବିଧ ପ୍ରଣାଳୀ ମଧ୍ୟ ବ୍ୟବହାର କରାଯାଇପାରେ, ସେଥିମଧ୍ୟରୁ ଏହା ଗୋଟିଏ ।


 

‘ନ୍ୟୂୟର୍କର’ ୧୧ ସେପ୍ଟେମ୍ୱର ମୁଦ୍ରିତ ସଂସ୍କରଣରେ ପ୍ରକାଶିତ ସିଦ୍ଧାର୍ଥଙ୍କ ‘କ୍ୟାନସର୍ସ ଇନଭେସନ ଇକ୍ୱେସନ’ ଶୀର୍ଷକ ଦୀର୍ଘ ରଚ଼ନାର ମୂଳ ତତ୍ତ୍ୱ ହେଲା କ୍ୟାନସର ଟ୍ୟୁମରକୁ ଅସ୍ତ୍ରୋପଚ଼ାର ଦ୍ୱାରା ସଂପୂର୍ଣ୍ଣ ଅପସାରଣ କରିଦେଲେ ସୁଦ୍ଧା କ୍ୟାନସର ସେଲ ଶରୀରର ଅନ୍ୟାନ୍ୟ ଅଂଶରେ ନିଷ୍କ୍ରିୟ ଅବସ୍ଥାରେ ରହୁଥିବା ଦେଖାଯାଉଛି । ଆକ୍ରାନ୍ତ ବ୍ୟକ୍ତିର ଜିନ ଓ ପରିବେଶ ପ୍ରଭାବରେ ସ୍ଥଳବିଶେଷରେ ସେହି ସେଲଗୁଡ଼ିକ ମେଟାଷ୍ଟାଟିକ ଅବସ୍ଥା ସୃଷ୍ଟି କରିଥାନ୍ତି । ମୂଳ ଟ୍ୟୁମର ତୁଳନାରେ ମେଟାଷ୍ଟାଟିସେସ କାରଣରୁ ଅଧିକ କ୍ୟାନସର ରୋଗୀ ମୃତ୍ୟୁ ମୁଖରେ ପଡୁଥିବା ଗଣତି କରାଯାଉଛି । ତେଣୁ ଆଜିକାଲି ଆମେ ଟ୍ୟୁମର ଗୁଡ଼ିକୁ ପ୍ରାଥମିକସ୍ତରରେ ଚ଼ିହ୍ନଟ କରିପାରୁଥିଲେ ହେଁ ରୋଗାକ୍ରାନ୍ତର ଜୀବନରକ୍ଷା ସବୁ କ୍ଷେତ୍ରରେ ସମ୍ଭବପର ହୋଇପାରୁ ନାହିଁ ।


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ସେପ୍ଟେମ୍ୱର ୨୦୧

ତଥ୍ୟ :

 


<www.thenewyorker.com>



The Magazine, September 11, 2017 Issue/Annas of Medicine/CANCER’S INVASION EQUATION/By Siddhartha Mukherjee

ସମ୍ୱାଦ ରଚ଼ନା ତନଖି

ସମ୍ୱାଦ ରଚ଼ନା ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ୱାଦ ତନଖି ଅପରିହାର୍ଯ୍ୟ । ଇଂଲିଶରେ ଏହି ଦୁଇ ପର୍ଯ୍ୟାୟ ‘କପି ରାଇଟିଂ’ ଓ ‘କପି ଚ଼େକିଂ’ ନାମିତ । ‘ସମ୍ୱାଦ ରଚ଼ନା ତନଖି’ ଶୃତିକଟୁ ବୋଧ ହେଉଥିବା ହେତୁ ‘କପି ଚ଼େକିଂ’ ଶବ୍ଦ ବ୍ୟବହାର ଉପଯୁକ୍ତ ମନେହୁଏ ।


 

ସାମ୍ୱାଦିକତା ପରିସରରେ ସମ୍ୱାଦ ପ୍ରକାଶିତ ହେବା ପରେ ତାହା ବହୁ ସଂଖ୍ୟକ ପାଠକ, ଶ୍ରୋତା, ଦର୍ଶକ ପଢୁଥିବା, ଶୁଣୁଥିବା, ଦେଖୁଥିବା ହେତୁ ସମ୍ୱାଦ ପାଠ୍ୟ ‘ଟେକ୍ସଟ’ ନିର୍ଭୂଲ ଓ ସାବଲୀଳ ହେବା ବାଞ୍ଛନୀୟ । ସାଧାରଣରେ ପ୍ରକାଶିତ ସମ୍ୱାଦ ବିଶ୍ୱାସଯୋଗ୍ୟ ଓ ବ୍ୟବହାରଯୋଗ୍ୟ ଦଲିଲ ରୂପେ ସ୍ୱୀକୃତି ପାଇଥାଏ । ତେଣୁ ତଥ୍ୟ କିମ୍ୱା ଆଙ୍ଗିକ କୌଣସିଟିରେ ତୃଟି ଅକ୍ଷମଣୀୟ ।


 

ଅବଶ୍ୟ ପ୍ରଚଳିତ ସାମ୍ୱାଦିକତାରେ ସମ୍ୱାଦ ରଚନାର ଗୁରୁତ୍ୱ ଅନେକସ୍ତରରେ ଅବହେଳିତ ଏବଂ ବହୁ ସାମ୍ୱାଦିକ, ସମ୍ପାଦକ, ପ୍ରକାଶକ ବିଭିନ୍ନ କାରଣରୁ ଅଣଦେଖା କରିଥାନ୍ତି । ସାମ୍ୱାଦିକତା ଅଧ୍ୟୟନ କାଳରେ ସେଗୁଡ଼ିକୁ ସମ୍ୱାଦ ପଦବାଚ୍ୟ ଗ୍ରହଣ କରାଯାଇନପାରେ ।


 

ସମ୍ୱାଦ ରଚନାରେ ଉତ୍କର୍ଷ ତଥ୍ୟଗତ ଓ ସର୍ଜନଶୀଳ ଦକ୍ଷତା ଉପରେ ନିର୍ଭରଶୀଳ । ସମ୍ୱାଦରେ ସ୍ଥାନିତ ସମସ୍ତ ତଥ୍ୟ ସତ୍ୟ ଆଧାରିତ ହେବା ସାଙ୍ଗକୁ ତଥ୍ୟ ସଂପର୍କୀତ ପ୍ରତ୍ୟକ୍ଷ ଓ ପରୋକ୍ଷ ଦିଗଗୁଡ଼ିକୁ ନିରପେକ୍ଷ ଓ ସ୍ୱାଧୀନ ଦୃଷ୍ଟିକୋଣରୁ ଯୁକ୍ତିଯୁକ୍ତ ଶୈଳୀରେ ଉପସ୍ଥାପନ କରିବାକୁ ପଡ଼ିଥାଏ । ସମ୍ୱାଦ କିପରି ପାଠକଙ୍କ ଧ୍ୟାନ ଆକର୍ଷକ, ଆବେଗପୂର୍ଣ୍ଣ ଓ ପ୍ରୋତ୍ସାହନମୂଳକ ହୋଇପାରିବ ସେଦିଗରେ ଉଦ୍ୟମ ଜରୁରୀ । ସର୍ଜନଶୀଳ ସାହିତ୍ୟ ଭଳି ସମ୍ୱାଦର ପ୍ରଭାବ ପାଠକ ଚିତ୍ତରେ ଦୀର୍ଘସ୍ଥାୟୀ ହେବା ଗୁଣାତ୍ମକ ସାମ୍ୱାଦିକତାର ପରିଚୟ ଦିଏ ।


 

କପିଚ଼େକିଂ ସମ୍ୱାଦରେ ବର୍ଣ୍ଣିତ ଘଟଣାକ୍ରମର ସତ୍ୟତା ସହ ସୂଚ଼ିତ ଅନ୍ୟାନ୍ୟ ଦିଗ, ଯଥା : ସ୍ଥାନର ନାମ, ସମୟ, ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ନାମ ଓ ପରିଚ଼ୟ ସଠିକ ଉପସ୍ଥାପନ ତଥା ନିର୍ଭୂଲ ବନାନ ଇତ୍ୟାଦି ମଧ୍ୟ ଗୁରୁତ୍ୱ ବହନ କରେ । ଏହି ଦିଗଗୁଡ଼ିକରେ ତୃଟି ଉପସ୍ଥାପିତ ସମ୍ୱାଦର ପାଠକୀୟ ସ୍ୱୀକୃତି କ୍ଷୁର୍ଣ୍ଣ କରିଥାଏ । ସମ୍ୱାଦ ସଂସ୍ଥା, ବୃତ୍ତିଗତ ସଂଗଠନ ଓ ବିଶେଷଜ୍ଞମାନେ ସମ୍ୱାଦ ରଚ଼ନା ନିମନ୍ତେ ମାର୍ଗଦର୍ଶିକା ସହ କପିଚ଼େକିଂ ନିମନ୍ତେ ମଧ୍ୟ ଆଚ଼ରଣ ସଂହିତା ପ୍ରସ୍ତୁତ କରିଥାନ୍ତି ।


 

ଯୁକ୍ତରାଷ୍ଟ୍ର ଆମେରିକାର ‘ନ୍ୟାସନାଲ ପବ୍ଳିକ ରେଡ଼ିଓ’ ଏକ ବୃହତ୍ତ ପ୍ରସାରଣ ନେଟୱାର୍କ । ଏଥିସହ ଏକ ହଜାରରୁ ଉର୍ଦ୍ଧ୍ୱ ରେଡ଼ିଓ ଷ୍ଟେସନ ସହବନ୍ଧିତ ଥିବା ସ୍ଥଳେ ସପ୍ତାହିକ ଶ୍ରୋତା ସଂଖ୍ୟା ସମୁଦାୟ ଛଅ କୋଟି ହିସାବ କରାଯାଏ । ଅନ୍ୟାନ୍ୟ ସଂସ୍ଥାଭଳି ‘ଏନପିଆର’ ମଧ୍ୟ ସମ୍ୱାଦିକତା ତାଲିମ ଅବସରରେ କପିଚ଼େକିଂ ନିମନ୍ତେ ନିର୍ଦ୍ଦେଶନାମା ଜାରୀ କରିଥାଏ । କପିଚ଼େକିଂ ସଂପର୍କରେ ଆଲୋଚ଼ନା କଲାବେଳେ ‘ଏନପିଆର’ର ଗାଇଡ଼ଲାଇନକୁ ଏକ ଉଦାହରଣ ରୂପେ ଗ୍ରହଣ କରାଯାଇପାରେ ।


 

ସମ୍ୱାଦରେ ସୂଚ଼ିତ ପ୍ରତ୍ୟେକଟି ବ୍ୟକ୍ତି ଓ ସ୍ଥାନର ନାମ ସଠିକ ହେବା ସହ ଉଚ୍ଚାରଣ ଓ ବନାନ ପ୍ରତି ଦୃଷ୍ଟିଦେବା ବିଧେୟ । ଦୂରଦୂରାନ୍ତ ଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ପ୍ରଚଳିତ ନାମଗୁଡ଼ିକ ପୂର୍ବପରିଚିତି ଅଭାବରେ ସଠିକ ଉଚ୍ଚାରଣ କରିହୁଏନାହିଁ । ଫଳରେ ବନାନ ଅଶୁଦ୍ଧ ହେବା ସ୍ୱାଭାବିକ । କିନ୍ତୁ ସମ୍ୱାଦ ରଚ଼ନା ଅବସରରେ ଏହି ସମସ୍ୟାରୁ ମୁକୁଳିବା ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ୱନ କରାଯାଇପାରେ । ପ୍ରାଥମିକ ଭାବେ ବିକଶିତ ଭାଷାଗୁଡ଼ିକର ବିଭିନ୍ନ ଶବ୍ଦର ଉଚ୍ଚାରଣ ‘ଗୁଗୁଲ ସର୍ଚ୍ଚ’ରେ ଉପଲବ୍ଧ । ଏହିପରି ଅନ୍ୟାନ୍ୟ ସାଧନ ଅନଲାଇନ ପରିସରରେ ଠାବ କରାଯାଇ ସାମ୍ୱାଦିକ ଓ ସମ୍ପାଦକମାନେ ଆବଶ୍ୟକମତେ ବ୍ୟବହାର କରିପାରିବେ ।


 

ବ୍ୟକ୍ତିବିଶେଷଙ୍କ ନାମ ସହ ପଦପଦବୀ ଓ ସଂପୃକ୍ତ ଅନୁଷ୍ଠାନଗୁଡ଼ିକ ସଂପର୍କରେ ବିବରଣୀର ସଠିକ ଉପସ୍ଥାପନ ନିମନ୍ତେ ସମ୍ୱାଦ ରଚ଼ନା ସମୟରେ ତନ୍ନ ତନ୍ନ ତନଖି କରିବାକୁ ପଡିଥାଏ । ବ୍ୟକ୍ତିବିଶେଷଙ୍କ ବୟସ ଉଲ୍ଲେଖ କରିବା ଅବସରରେ ସେମାନଙ୍କ ଜନ୍ମତାରିଖ ଉପଲବ୍ଧ ଥିଲେ ପୁନର୍ବାର ଗଣିତ କରିବା ଉତ୍ତମ ଅଭ୍ୟାସ । ବ୍ୟକ୍ତି ଓ ସଂସ୍ଥାର ଅତୀତ କାର୍ଯ୍ୟଧାରା ସଂପର୍କରେ ଆଲୋକପାତ କରିବାକୁ ଥିଲେ ନିଜ ସ୍ମରଣଶକ୍ତି ବଦଳରେ ପ୍ରାମାଣିକ ତଥ୍ୟ ପରଖିନେବା ଆବଶ୍ୟକ । କ୍ରମଶଃ ଅନଲାଇନ ପରିବେଶ ସଂପ୍ରସାରିତ ହେଉଥିବା ହେତୁ ପ୍ରାୟ ସବୁ ସହର ଓ ପ୍ରମୁଖ ସଂସ୍ଥା ତଥା ବ୍ୟକ୍ତିବିଶେଷଙ୍କ ସଂପର୍କରେ ତଥ୍ୟ ପାଇବା ସରଳ ହୋଇପାରିଛି । ବିନା ଦ୍ୱିଧାରେ ସେହି ସୁଯୋଗ ସୁବିଧା ଉପଯୋଗ କରିବାକୁ ପଡିଥାଏ ।


 

ସମ୍ୱାଦରେ କାହାରି ମତ-ମତାନ୍ତର ଉଦ୍ଧୃତି ଆକାରରେ ପ୍ରକାଶ କଲାବେଳେ ସୂତ୍ରଙ୍କ ଦୃଷ୍ଟିଭଙ୍ଗୀକୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ । ଉଦ୍ଧୃତି ନିର୍ବାଚନ ଓ ଆକାର ସାମ୍ୱାଦିକଙ୍କ ଇଚ୍ଛାଧୀନ ଥିବା ହେତୁ ପକ୍ଷପାକ୍ଷିକତା ପ୍ରତି ସେ ଦ୍ୱିବାର ସତର୍କ ହେବା ଉଚ଼ିତ । ସମ୍ୱାଦରେ କୌଣସି ଟେଲିଫୋନ ନମ୍ୱର, ଇମେଲ ଆଇଡ଼ି କିମ୍ୱା ୱେବ ଠିକଣା ଉଲ୍ଲେଖ କରାଯିବା ପୂର୍ବରୁ ସାମ୍ୱାଦିକ ବ୍ୟକ୍ତିଗତଭାବେ ସେଗୁଡ଼ିକୁ ପୁଣିଥରେ ବାସ୍ତବକ୍ଷେତ୍ରରେ ତନଖି ନେଲେ ଭୂଲଭଟ୍ଟକାର ଭୟ ଦୂର ହୋଇଥାଏ ।


 

ସମ୍ୱାଦ ରଚନା କାଳରେ ପ୍ରଥମ ପାଣ୍ଡୁଲିପି ‘ଫାଷ୍ଟ ଡ୍ରାଫଟ’ ପ୍ରସ୍ତୁତ ହୋଇସାରିବା ପରେ ବିଭିନ୍ନ ଖ୍ୟାତନାମା ସାମ୍ୱାଦିକ ବିଭିନ୍ନ ଶୈଳୀରେ ତାହା ତନଖି, ସଂଶୋଧନ ଓ ପୁନଃଲିଖନ କରିଥାନ୍ତି । ‘ଏନପିଆର’ ସାମ୍ୱାଦିକତା ତାଲିମ ପାଠ୍ୟକ୍ରମରେ ସୂଚ଼ିତ ମୁଖ୍ୟ ନିର୍ଦ୍ଦେଶାବଳୀଗୁଡ଼ିକ ମଧ୍ୟରେ ପୁନଃପଠନ ସର୍ବୋଗ୍ରେ ସ୍ଥାନିତ । ସମ୍ୱାଦ ରଚ଼ନା କରିସାରିବା ପରେ ସଂପୃକ୍ତ ସାମ୍ୱାଦିକ ତାକୁ ଉଚ୍ଚ ସ୍ୱରରେ ପାଠ କଲେ ଅନେକ ସୁଫଳ ମିଳିଥାଏ । ଭୂଲ ଭଟ୍ଟକାଗୁଡ଼ିକୁ ଚ଼ିହ୍ନଟ କରିବା ନିମନ୍ତେ ଏହା ଏକ ସରଳ ଉପାୟ ।


 

ତେବେ ପ୍ରଥମଥର ସମ୍ୱାଦ ପାଠ କାଳରେ ଭୂଲ ଦେଖିଲେ ଅଟକି ଯାଇ ତାହାକୁ ତୁରନ୍ତ ସଂଶୋଧନ କରିବା ବଦଳରେ ସେଠାରେ ସାମାନ୍ୟ ଚ଼ିହ୍ନ ଦେଇ ପୁରା ସମ୍ୱାଦଟିକୁ ପଢ଼ିଯିବା ଭଲ । ସମ୍ୱାଦ ପଢ଼ି ସାରିଲା ପରେ ଚ଼ିହ୍ନିତ ସ୍ଥାନଗୁଡ଼ିକୁ ଫେରି ଆବଶ୍ୟକୀୟ ସଂଶୋଧନ କରାଯାଇପାରେ । ସ୍ଥଳ ବିଶେଷରେ ନୂତନ ଶବ୍ଦ ଯୋଡ଼ିବା ସମୟରେ ଅଧିକ ସତର୍କ ରହିବାକୁ ପଡ଼େ । କାରଣ ନୂଆ ଭୂଲଟିଏ ସୃଷ୍ଟି ହୋଇପାରେ ।


 

କୁହାଯାଏ ଯେ ରଚନାରେ ଭୂଲଭଟ୍ଟକା ସାଧାରଣରେ ଯୋଡ଼ା-ଯୋଡ଼ି ଦେଖିବାକୁ ମିଳେ । ଅର୍ଥାତ, ଗୋଟିଏ ଭୂଲ ଚ଼ିହ୍ନଟ ହେଲେ, ଅନ୍ୟଗୁଡ଼ିକୁ ଖୋଜିବାହାର କରିବାକୁ ଯତ୍ନବାନ ହେବାକୁ ପଡ଼ିବ । କେତେକ ଶବ୍ଦ ଅଭ୍ୟାସବଶତଃ ବାରମ୍ୱାର ବ୍ୟବହୃତ ହୋଇଥାଏ । ରଚ଼ନାକାଳରେ ଏହା ବାରି ହେଉ ନଥିବା ସ୍ଥଳେ ପଠନ ଓ ପୁନଃପଠନ କାଳରେ ଶୃତିକଟୁ ବୋଧ ହୁଏ । ଆବଶ୍ୟକମତେ ବିକଳ୍ପ ଶବ୍ଦ ସଂଯୋଜନା ରଚ଼ନାଟିକୁ ସାବଲୀଳ କରିଥାଏ ।


 

ପ୍ରସ୍ତୁତ ସମ୍ୱାଦର ପାଠ୍ୟ ଉଭୟ ସାମ୍ୱାଦିକ ଓ ସମ୍ପାଦକଙ୍କ ଦ୍ୱାରା ବାରମ୍ୱାର ପଠନ ଅଭ୍ୟାସ ସମ୍ୱାଦର ଗୁଣବତ୍ତା ବିକାଶରେ ସହାୟକ । ସାମ୍ୱାଦିକ ପ୍ରଥମ ଥର ପ୍ରସ୍ତୁତ ସମ୍ୱାଦ ପାଠ୍ୟ ଉଚ୍ଚସ୍ୱରରେ ପଢ଼ି ସାରିବା ପରେ ଦ୍ୱିତୀୟ ଓ ତୃତୀୟବାର ପଠନର ମହତ୍ତ୍ୱ ବୃଦ୍ଧିଲାଗି ବିଭିନ୍ନ ଉପାୟ ଅବଲମ୍ୱନ କରିପାରେ । ଜଣେ ସାମ୍ୱାଦିକ ସମ୍ୱାଦର ପାଠ୍ୟ ପ୍ରସ୍ତୁତ କଲାପରେ ପ୍ରଥମ ପଠନ ପରେ ସମ୍ୱାଦର କିଛି ଅଂଶ ତାହାର ମୁଖସ୍ଥ ହୋଇପଡୁଥିବା ଦେଖିବାକୁ ମିଳେ । ଫଳରେ ଦ୍ୱିତୀୟ ପଠନ କାଳରେ ଛାଡ଼ିଯାଇଥିବା ଭୂଲଭଟ୍ଟକାକୁ ସେ ସହଜରେ ଖୋଜି ପାଇପାରେନା ।


 

ଏହି ପରିସ୍ଥିତିକୁ ଏଡ଼ାଇବାଲାଗି କେତେକ ସାମ୍ୱାଦିକ ପ୍ରସ୍ତୁତ ସମ୍ୱାଦକୁ ଉପରୁ ତଳକୁ ନପଢ଼ି ତଳ ପାରାଗ୍ରାଫରୁ ତତ୍ ପୂର୍ବ ପାରାଗ୍ରାଫ କ୍ରମରେ ପଢନ୍ତି । ଅନ୍ୟ କେତେକ କମ୍ପ୍ୟୁଟର ସ୍କ୍ରିନରେ ସମ୍ୱାଦ ପଢ଼ିବା ପରେ ଦ୍ୱିତୀୟବାର ତାକୁ କାଗଜରେ ପ୍ରିଣ୍ଟ କରି ପଢ଼ନ୍ତି । କିଛି ନ ହେଲେ ଅକ୍ଷରର ଆକାର ‘ଫଣ୍ଟ’ ବଢ଼ାଇ ନୂତନ ଆଙ୍ଗିକ ସୃଷ୍ଟିର ଉଦ୍ୟମ କରନ୍ତି । ବହୁ ବଡ଼ ସମ୍ୱାଦପତ୍ର ସଂସ୍ଥାରେ ଅନଲାଇନରେ ସମ୍ପାଦକୀୟ କାରବାର ଚାଲୁଥିଲେ ହେଁ ସମ୍ୱାଦ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ କାଗଜ ପ୍ରିଣ୍ଟକୁ ପୁରୁଣାକାଳିଆ ପୃଫରିଡ଼ରମାନଙ୍କ ଦ୍ୱାରା ସଂଶୋଧନର ବ୍ୟବସ୍ଥା ରହିଥାଏ ।


 

ବହୁ ବଡ଼ ଲେଖକ ସୃଜନପରେ କିଛି କାଳ ଅନ୍ତେ ତାହାର ସଂଶୋଧନ କରିଥାନ୍ତି । ସମ୍ୱାଦ ରଚ଼ନା ଓ ପ୍ରକାଶନର ସମୟ ଅବଧି ସୀମିତ ହୋଇଥିବା ହେତୁ ପାଣ୍ଡୁଲିପି ସଂଶୋଧନଲାଗି ପର୍ଯ୍ୟାପ୍ତ ସମୟର ବିଳାସ ସଂଭବ ନହୋଇପାରିଲେ ସୁଦ୍ଧା ପ୍ରସ୍ତୁତ ସମ୍ୱାଦର ପ୍ରଥମ ପଠନପରେ ଗୋଟିଏ ଟେଲିଫୋନ କଲ, ଛୋଟ ଭିଡ଼ିଓ ଦେଖା କିମ୍ୱା ଘେରାଏ ବୁଲି ଆସିବା ପରେ ଦ୍ୱିତୀୟ ପଠନ ଅଧିକ ଫଳପ୍ରଦ ହୋଇଥାଏ । ପ୍ରସ୍ତୁତ ପାଠ୍ୟକୁ ସହଯୋଗୀ ସାମ୍ୱାଦିକଙ୍କ ଦ୍ୱାରା ପଠନ ଓ ଟିପ୍ପଣୀ ସଂଗ୍ରହ ସର୍ବାପେକ୍ଷା ମୂଲ୍ୟବାନ ।


 

ସମ୍ୱାଦର ପ୍ରଥମ ଓ ଶେଷ ଭାଗ ଗୁରୁତ୍ୱପୂର୍ଣ୍ଣ ଅଂଶ । ପାଠକ ସମ୍ୱାଦ ପଠନକାଳରେ ଉକ୍ତ ସମ୍ୱାଦ ନିମନ୍ତେ ତଥ୍ୟ ସଂଗ୍ରହ କରିବାରେ ସାମ୍ୱାଦିକ କେତେ ସାମର୍ଥ୍ୟ, ସମୟ ଓ ଅର୍ଥ ବିନିଯୋଗ କରିଛନ୍ତି ତଥା କେଉଁ ପରିସ୍ଥିତିରେ ରଚ଼ନା ଓ ସଂଶୋଧନ କରି ପ୍ରକାଶ କରିଛନ୍ତି, କୌଣସିଟିକୁ ବିଚାରକୁ ନେଇ ନଥାଏ । ଉପସ୍ଥାପିତ ସମ୍ୱାଦ ଆକର୍ଷକ, ସାବଲୀଳ ଓ ତଥ୍ୟପୂର୍ଣ୍ଣ ହୋଇଥିଲେ ତାହା ପାଠକ ପଢ଼ିଥାଏ, ପ୍ରଶଂସା କରେ ଏବଂ ସେଭଳି ସମ୍ୱାଦ ପଢ଼ିବା ନିମନ୍ତେ ଗ୍ରାହକଚାନ୍ଦା ଦେବା ପାଇଁ ଆଗେଇ ଆସିଥାଏ । ଅତଏବ, ସମକାଳୀନ ସାମ୍ୱାଦିକତା କ୍ରମଶଃ ଗ୍ରାହକଚାନ୍ଦା ଆଶ୍ରିତ ମଡ଼େଲକୁ ପରିବର୍ତ୍ତିତ ହେଉଥିବା ଅବସରରେ ସମ୍ୱାଦ ରଚନା ତନଖି ସର୍ବାପେକ୍ଷା ଗୁରୁତ୍ୱ ବହନ କରେ । 



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅଗଷ୍ଟ ୨୦୨୧

ତଥ୍ୟ :

 


Memmott, Mark. An accuracy check list to take with you. March 30, 2015


 

https://training.npr.org/2015/03/30/nprs-accuracy-checklist/


 

Morgan, Amy. 6 Tips for catching your writing mistakes (and polishing your credibility). May 04, 2017


 

https://training.npr.org/2017/05/04/6-tips-for-catching-your-own-types-and-protecting-your-credibility/

ସଂକ୍ଷିପ୍ତ ବନାମ ବିସ୍ତୃତ

ଆନ୍ତର୍ଜାତିକସ୍ତରରେ ମୁଖ୍ୟତଃ ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ପାଠକ ଓ ବିଜ୍ଞାପନ ରାଜସ୍ୱ ହରାଇବା କାରଣରୁ କ୍ରମବର୍ଦ୍ଧିଷ୍ଣୁ ଡ଼ିଜିଟାଲ ମଞ୍ଚରେ ଅବତୀର୍ଣ୍ଣ ହେଉଥିବା କିମ୍ୱା ପ୍ରକାଶନ ବନ୍ଦ କରିଦେଉଥିବା ଧାରା ବଳବତ୍ତର ରହିଛି । ଏହି ପରିପ୍ରେକ୍ଷୀରେ ଆତ୍ମସୁରକ୍ଷାତ୍ମକ ଉଦ୍ୟମରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ପୃଷ୍ଠାରେ ବିଷୟବିନ୍ୟାସ ଓ ଉପସ୍ଥାପନ ଶୈଳୀରେ କ’ଣ ସବୁ ପରିବର୍ତ୍ତନର ଧାରା ଅନୁସୃତ ହେଉଛି ସେ ସଂପର୍କରେ ଜାଣିବାର ଉତ୍କଣ୍ଠା ରହିଥିଲା । ଗତ ଅକ୍ଟୋବର ମେଟ୍ରୋ-ଟୁର କୋଲକତା ଗସ୍ତ ଅବସରରେ ବ୍ରିଟିଶ କାଉନସିଲ ଲାଇବ୍ରେରୀରେ ‘ଦି ଟାଇମ’ ଓ ‘ଦି ଗାର୍ଡ଼ିଅନ’ ଏବଂ ଆମେରିକାନ ଲାଇବ୍ରେରୀରେ ‘ଦି ନିଉୟର୍କ ଟାଇମସ’ ଓ ‘ଦି ୱଶିଂଟନ ପୋଷ୍ଟ’ ଚ଼ାରିଗୋଟି ସମ୍ବାଦପତ୍ରର ସଦ୍ୟତମ ସଂସ୍କରଣଗୁଡ଼ିକର ତୁଳନାତ୍ମକ ବିଶ୍ଳେଷଣର ସୁଯୋଗ ମିଳିଥିଲା । ଏତଦ୍ୱାରା ମନରେ ଆନ୍ଦୋଳିତ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବାରେ କିଛିଟା ସହାୟକ ହୋଇ ପାରିଥିଲା ।


 

ଗଣମାଧ୍ୟମ ସହାବସ୍ଥାନ ବା ‘ମଡ଼ିଆ କୋଏକଜିଷ୍ଟସ୍’ ଧାରାରେ ପାଠକ ମହଲରେ ମୌଳିକ ସମ୍ୱାଦ ପ୍ରସାରଣ କ୍ରମଶଃ ଡ଼ିଜିଟାଲ ମଞ୍ଚକୁ ଅପସାରିତ ହେବା ପରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ସମ୍ୱାଦ ପ୍ରକାଶନରେ ବିକଳ୍ପ ଭୂମିକା ଗ୍ରହଣ କରୁଛନ୍ତି । ଉଦାହରଣରେ ପୂର୍ବେ ସମ୍ୱାଦପତ୍ରରେ କେବଳ ସମ୍ୱାଦ ପ୍ରକାଶନ ପ୍ରତି ଧ୍ୟାନ ଦିଆଯାଉଥିବା ସ୍ଥଳେ ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ୱାଦଭିତ୍ତିକ ପତ୍ରିକାଗୁଡ଼ିକ ବର୍ଣ୍ଣନା (ନେରେଟିଉଭ), ଅନୁଶୀଳନ (ଏନାଲେଟିକ୍) ବା ଅନୁସନ୍ଧାନଧର୍ମୀ (ଇନଭେଷ୍ଟଗେଟିଭ) ସାମ୍ୱାଦିକତା ପ୍ରତି ଯତ୍ନଶୀଳ ହେଉଥିଲେ । ବର୍ତ୍ତମାନ ମୌଳିକ ସମ୍ୱାଦ ପ୍ରସାରଣ ଡ଼ିଜିଟାଲ ମଞ୍ଚରେ ଲୋକପ୍ରିୟ ହେବା ଫଳରେ ମୁଦ୍ରିତ ସମ୍ବାଦପତ୍ରଗୁଡ଼ିକ ବର୍ଣ୍ଣନା, ଅନୁଶୀଳନ ବା ଅନୁସନ୍ଧାନଧର୍ମୀ ସାମ୍ୱାଦିକତାକୁ ଗୁରୁତ୍ୱ ଦେବାରେ ଲାଗିଛନ୍ତି ।


 

ଆଲୋଚ଼୍ୟ ଚ଼ାରିଗୋଟି ପ୍ରମୁଖ ସମ୍ବାଦପତ୍ରର ପ୍ରତ୍ୟେକ ଭିତର ପୃଷ୍ଠାଗୁଡ଼ିକରେ ବିଜ୍ଞାପନ ସହ ପ୍ରାୟତଃ ଦୁଇତିନିଗୋଟି ତଥା ସ୍ଥଳବିଶେଷରେ ମାତ୍ର ଗୋଟିଏ ସମ୍ୱାଦ ପ୍ରକାଶିତ ହେଉଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମ୍ବାଦ ଉପସ୍ଥାପନାରେ ଘଟଣାବଳୀକୁ ପ୍ରାଞ୍ଜଳଭାବେ ବର୍ଣ୍ଣନା କରାଯାଇ ବିଭିନ୍ନ ଦିଗରୁ ଅନୁଶୀଳନକୁ ପ୍ରାଧାନ୍ୟ ଦିଆଯାଉଥିବା ଲକ୍ଷ୍ୟ କରାଯାଇଥିଲା ।


 

ମୌଳିକ ସମ୍ୱାଦ ପ୍ରସାରଣ କ୍ରମଶଃ ଫୋନ ପରଦା ବା ହେଣ୍ଡହୋଲଡ଼ ମୋବାଇଲ ଡ଼ିଭାଇସ ଯଥା ଟେବଲେଟ ବା ଲ୍ୟାପଟପରେ ସୋସିଆଲ ମିଡ଼ିଆ ମଞ୍ଚକୁ ଅପସାରିତ ହୋଇଚ଼ାଲିଥିବା ତଥା ଆଗାମୀ କିଛି ସମୟଧରି ଏହି ପ୍ରକ୍ରିୟା ତ୍ୱରାନ୍ୱିତ ରହିବା ଆକଳନ କାରଣରୁ ଟେଲିଭିଜନ ଓ ମୁଦ୍ରିତ ସମ୍ୱାଦପତ୍ରରେ ସମ୍ୱାଦ ପରିବେଷଣ ଧାରା ପ୍ରଭାବିତ ହେବା ସ୍ୱାଭାବିକ । ଫୋନ ପରଦାକୁ ସୁହାଉଥିବା ଷାଠିଏ ଶଦ୍ଦର ସମ୍ୱାଦ ରଚ଼ନା ଶୈଳୀ ବର୍ତ୍ତମାନ ମିନିଟିକିଆ ଭିଡ଼ିଓ ରିପୋର୍ଟକୁ ମୁକାବିଲା କରିବାକୁ ଯାଉଥିବା ବେଳେ ମୁଦ୍ରିତ ସମ୍ୱାଦପତ୍ରକୁ ସ୍ଥଳବିଶେଷରେ ଦୀର୍ଘରଚ଼ନା ପ୍ରକାଶନ ଶୈଳୀକୁ ଆବୋରି ନେବାକୁ ପଡ଼ିଛି ।


 

ଏହି ସଂଘର୍ଷମୟ ପରିବେଶରେ ବଡ଼ ବଡ଼ ପତ୍ରିକାଗୁ଼ଡ଼ିକ ନିଜ ନିଜ ପ୍ରକାଶନରେ ଗୁଣବତ୍ତା ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି । ବ୍ରିଟେନର ‘ଦି ସ୍ପେକ୍ଟେଟର’ କିମ୍ୱା ଯୁକ୍ତରାଷ୍ଟ୍ର ଆମେରିକାର ‘ଦି ନ୍ୟୂୟର୍କର’ ବା ‘ଦି ଅଟଲାଣ୍ଟିକ’ରେ ପ୍ରକାଶିତ ଉଚ୍ଚମାନର ରଚ଼ନା ନିମନ୍ତେ ସେମାନଙ୍କ ପ୍ରସିଦ୍ଧି ଅଟଳ ରହୁଛି । ଛୋଟ ଛୋଟ ପତ୍ରିକାଗୁଡ଼ିକ ବିଷୟ ସ୍ୱତନ୍ତ୍ର ବା ସ୍ପେସେଲାଇଜେସନରେ ନିଜ ଆସ୍ଥାନକୁ ଦୃଢ଼ୀଭୂତ କରିବା ନିମନ୍ତେ ଉଦ୍ୟମ କରୁଛନ୍ତି । ଯେପରିକି ଗୋଟିଏ ପତ୍ରିକା କେବଳ ‘ନିଦ୍ରା’କେନ୍ଦ୍ରୀକ ରଚ଼ନା ପ୍ରକାଶ କରୁଥିବାବେଳେ ଅନ୍ୟ ଗୋଟିଏ ‘ସାଇକେଲ ଚ଼ାଳନା’କେନ୍ଦ୍ରୀକ ରଚ଼ନା ପ୍ରକାଶନ ପ୍ରତି ଧ୍ୟାନ ଦେଉଛି ।


 

ସମସାମୟିକ ଓଡ଼ିଶାରେ କେତେକ ବହୁଳ ପ୍ରସାରିତ ମୁଦ୍ରିତ ସମ୍ୱାଦପତ୍ରରେ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ପ୍ରସାରଣ ଢ଼ାଞ୍ଚାରେ ସଂକ୍ଷିପ୍ତ ସମ୍ୱାଦ ରଚ଼ନା ପ୍ରତି ଅଗ୍ରାଧୀକାର ଦିଆଯିବା ନିମନ୍ତେ ବିଚ଼ାର କରାଯାଉଥିବା ଶୁଣିବାକୁ ମିଳେ । ହୁଏତ ସେମାନେ ଭାବୁଛନ୍ତି ଯେ ସମ୍ୱାଦର ଆକାର ସଂକ୍ଷିପ୍ତ ହୋଇପାରିଲେ ତାହା ଡ଼ିଜିଟାଲ ମଞ୍ଚରେ ପ୍ରକାଶିତ ସମ୍ୱାଦର ସମକକ୍ଷ ହୋଇ ଲୋକପ୍ରିୟତା ବଜାୟ ରଖିପାରିବ ଏବଂ ସୀମିତ ପରିସରରେ ଅଧିକରୁ ଅଧିକ ସମ୍ୱାଦ ପ୍ରକାଶ କରିପାରିବେ ।


 

ମୋ’ ମତରେ ଏହା ଭ୍ରମାତ୍ମକ । ଦିନ ସାରା ଫୋନ ପରଦାରେ ସୋସିଆଲ ମିଡ଼ିଆରେ ତତ୍ କ୍ଷଣାତ ମୌଳିକ ସମ୍ୱାଦ ସଂକ୍ଷିପ୍ତ ଆକାରରେ ଉଭୟ ଲେଖା ଓ ଭିଡ଼ିଓରେ ପାଇସାରିବା ପରେ ତହିଁ ପରଦିନ ସକାଳୁ ତାହାର ପୁନରାବୃତ୍ତି ପାଠକମାନଙ୍କ ପକ୍ଷେ ଗ୍ରହଣୀୟ ନ ହୋଇପାରେ । ସେମାନେ ନିଶ୍ଚିତଭାବେ ବିସ୍ତୃତ ବିବରଣୀମୁହାଁ ହେବେ । ସୋସିଆଲ ମିଡ଼ିଆ ସଂବାଦ ପ୍ରସାରଣରେ ଯାହା ପାଇପାରିନଥିଲେ ତାହା ଖୋଜିବେ ।


 

ଭାରତରେ ୧୯୭୫-୭୭ ଜରୁରୀ ଅବସ୍ଥା ପରବର୍ତ୍ତୀ ସମୟରେ ସାକ୍ଷରତା ଓ ଆର୍ଥିକ ସ୍ୱଚ୍ଛଳତା କ୍ରମାଗତଭାବେ ମୁଦ୍ରିତ ସମ୍ୱାଦପତ୍ର ସହ ଟେଲିଭିଜନ ଦର୍ଶକ ସଂଖ୍ୟା ଅଭିବୃଦ୍ଧିର ମୁଖ୍ୟ କାରଣ । ବିଗତ ଦୁଇ ଦଶକ ଧରି ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ମୌଳିକ ସମ୍ୱାଦ ପ୍ରସାରଣ ଡ଼ିଜିଟାଲ ମଞ୍ଚକୁ ଅପସାରିତ ହୋଇଚାଲିଥିବା ସ୍ଥଳେ ଆମ ଦେଶରେ ଅନୁରୂପ ଧାରା ମୁଖ୍ୟତଃ ସହରାଞ୍ଚଳ ପାଠକ ଓ ଦର୍ଶକଙ୍କ ମଧ୍ୟରେ ସୀମାବଦ୍ଧ ରହିଛି । ସେହିକାରଣରୁ ଏଠାରେ ସହରାଞ୍ଚଳ ପ୍ରସାରଣ କେନ୍ଦ୍ରୀକ ଇଂଲିଶ ସମ୍ୱାଦପତ୍ରର ବାର୍ଷିକ ଅଭିବୃଦ୍ଧି ହାର ତିନି ପ୍ରତିଶତକୁ କମି ଆସିଛି । ତେବେ ଗ୍ରାମାଞ୍ଚଳରେ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଇଣ୍ଟରନେଟ ଓ ସ୍ମାର୍ଟଫୋନ ବ୍ୟବହାର ସଂପ୍ରସାରିତ ହେବାପରେ ୨୦୨୨ ବେଳକୁ ନୂତନ ସମୀକରଣ ସୃଷ୍ଟିକରିବା ନିଶ୍ଚିତ । ଆଗାମୀ ୨୦୧୯ ସାଧାରଣ ନିର୍ବାଚ଼ନ ଅବସରରେ ପ୍ରମୁଖ ରାଜନୈତିକ ଦଳଗୁଡିକର ଲକ୍ଷ୍ୟଭିତ୍ତିକ ବ୍ୟବହାରରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ ମଞ୍ଚର ଲୋକପ୍ରିୟତା ବହୁପରିମାଣରେ ବଢ଼ିଯିବ ବୋଲି ଆଶା କରାଯାଇପାରେ । ଏହି ପରିବେଶ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରରେ ସମ୍ୱାଦ ଉପସ୍ଥାପନ ଶୈଳୀକୁ ପ୍ରଭାବିତ କରିବ ।


 

ବିଭିନ୍ନ ଗଣମାଧ୍ୟମ ମଞ୍ଚରେ ସମ୍ୱାଦ ଉପସ୍ଥାପନାରେ ବିବିଧତା ଭିନ୍ନ ଭିନ୍ନ ପ୍ରକାଶନର ସ୍ୱତନ୍ତ୍ରତା ଜାହିର କରିଥାଏ । ଏ ଦିଗରେ ସର୍ଜନଶୀଳତାର ପ୍ରୟୋଗ ଉପସ୍ଥାପନକୁ ଆକର୍ଷଣୀୟ ଗଢ଼ିତୋଳି ପାଠକ ଓ ଦର୍ଶକଙ୍କ ସ୍ୱୀକୃତି ହାସଲରେ ସମର୍ଥ ହୋଇଥାଏ । ଆମ ଓଡ଼ିଆରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକରେ ସମ୍ୱାଦ ଉପସ୍ଥାପନରେ ବିଷୟ ନିର୍ବାଚ଼ନ କିମ୍ୱା ଶୈଳୀ ଉପଯୋଗରେ ପ୍ରାୟତଃ ଭିନ୍ନତା ଦେଖିବାକୁ ମିଳେ ନାହିଁ । ଅନ୍ତତଃପକ୍ଷେ କମ ପ୍ରସାରିତ ସମ୍ୱାଦପତ୍ରଗୁଡ଼ିକ ଯଦି ଏ ଦିଗରେ ସୀମିତ ସାମର୍ଥ୍ୟରେ ପରୀକ୍ଷାନିରୀକ୍ଷା ଦିଗରେ ମନୋନିବେଶ କରନ୍ତେ ତେବେ ସେଗୁଡ଼ିକ ପାଠକମହଲରେ ଆଦୃତି ଲାଭ କରନ୍ତା ।


 

ସର୍ବଭାରତୀୟସ୍ତରରେ ଇଂଲିଶ ସମ୍ୱାଦପତ୍ରଗୁଡ଼ିକ ବିଗତ କିଛିକାଳ ଧରି ଅଭିବୃଦ୍ଧି ହ୍ରାସ କାରଣରୁ ସଂପାଦକୀୟ ନୀତି ବଦଳାଉଥିବା ଲକ୍ଷ୍ୟ କରାଯାଇପାରେ । ‘ଦି ହିନ୍ଦୁ’ କ୍ଷେତ୍ରରେ ପ୍ରସାର ଓ ବିଜ୍ଞାପନ ରାଜସ୍ୱ ହାନୀର ମୁକାବିଲା କରିବା ନିମନ୍ତେ ବର୍ଣ୍ଣନାତ୍ମକ ସମ୍ୱାଦ ଉପସ୍ଥାପନ ଶୈଳୀ ପ୍ରବର୍ତ୍ତନ, ଗ୍ରାହକ ଚ଼ାନ୍ଦା ବୃଦ୍ଧି ତଥା ଶିଶୁ, କିଶୋର ଓ ଯୁବବର୍ଗର ପାଠକଙ୍କ ନିମନ୍ତେ ପାଠ୍ୟ ପ୍ରଯୋଜନା ପ୍ରତି ବିଶେଷ ଦୃଷ୍ଟି ଦେବା ଆରମ୍ଭ କରିଛି । ଏଥି ସହ ନିଜ ଡ଼ିଜିଟାଲ ମଞ୍ଚକୁ ଆକର୍ଷଣୀୟ କରି ଗ୍ରାହକ ଚ଼ାନ୍ଦା ଆଦାୟପ୍ରତି ଗୁରୁତ୍ୱ ଦେବାରେ ଲାଗିଛି । ଦୀର୍ଘ ସୂତ୍ରରେ ଏସବୁ ଉଦ୍ୟମ ଫଳବତୀ ହେବା ଆଶା କରାଯାଇପାରେ ।


 

ମୁଦ୍ରିତ ସମ୍ୱାଦପତ୍ର ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ପର୍ଯ୍ୟାୟଭୁକ୍ତ ହେତୁ ଏହାର ପରିପାଟୀରେ ପରିବର୍ତ୍ତନ ସର୍ବଦା ସ୍ୱାଗତଯୋଗ୍ୟ । କିନ୍ତୁ ବର୍ତ୍ତମାନ ବିଜିନେସ ମଡ଼େଲରେ ବଡ଼ ଧରଣର ଅଦଳବଦଳ ସମ୍ୱାଦ ଉପସ୍ଥାପନ ଶୈଳୀରେ ରୂପାନ୍ତରିକରଣଲାଗି ବାଧ୍ୟବାଧକତା ସୃଷ୍ଟି କରିଛି । ହୁଏତ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ବର୍ତ୍ତମାନ ସୁଦ୍ଧା ଅଭିବୃଦ୍ଧିଜନିତ ସମସ୍ୟାରୁ ଦୂରେଇ ରହିଥିବା ହେତୁ ଏ ଦିଗରେ ମନୋନିବେଶ କରିବା ଆବଶ୍ୟକତା ଅନୁଭୂତ ହୋଇନାହିଁ । ତେବେ ସମ୍ୱାଦ ପ୍ରସାରଣରେ ମୁଦ୍ରିତ ସମ୍ୱାଦପତ୍ରର ବିକଳ୍ପ ଭୂମିକା ପ୍ରବର୍ତ୍ତନ ଅବଶ୍ୟମ୍ଭାବୀ ।  



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୭ ଅକ୍ଟୋବର ୨୦୧୭

ତଥ୍ୟ :

 


<https://en.m.wikipedia.org/wiki/ong-form-journaism>


<https://www.ongreads.com> 

ମୁଦ୍ରିତ ସମ୍ୱାଦପତ୍ରରେ ଦୀର୍ଘ ରଚ଼ନା

ମୁଦ୍ରିତ ସମ୍ୱାଦପତ୍ରରେ ଦୀର୍ଘ ରଚନା ପ୍ରକାଶନକୁ ନିରୁତ୍ସାହିତ କରାଯିବା ବଦଳରେ ଉତ୍ସାହିତ କରିବାର ଗୁରୁତ୍ୱ ଅନୁଭୂତ ହୋଇଥାଏ । ସାଧାରଣରେ ସମ୍ୱାଦପତ୍ର ପାଠକ ମୁଦ୍ରିତ ପୃଷ୍ଠା ପଠନରେ କ୍ରମଶଃ କମ ସମୟ ଅତିବାହିତ କରୁଥିବା ହେତୁ କେବଳ ସଂକ୍ଷିପ୍ତ ସମ୍ୱାଦ ଖୋଜିଥାଏ ବୋଲି ଧାରଣା ପରିତ୍ୟାଗର ସମୟ ଉପନୀତ । ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ ଅଭ୍ୟାସ ବଢ଼ି ଚାଲିଥିବା ହେତୁ ସମ୍ୱାଦପତ୍ର ବିସ୍ତୃତ ବିବରଣୀ ପ୍ରସାରଣର ମାଧ୍ୟମ ରୂପେ ମୁଣ୍ଡ ଟେକିଛି ବୋଲି ବୁଝିବାକୁ ପଡ଼ିବ ।


 

ମହାମାରୀଜନିତ ପରିବର୍ତ୍ତିତ ଗଣମାଧ୍ୟମ ପରିବେଶ ‘ନିଉ ନରମାଲ’ରେ ୨୦୨୧ ଆରମ୍ଭରେ ଭାରତରେ ୬୬ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଇଣ୍ଟରନେଟ ସଂଯୁକ୍ତି ହିସାବ କରାଯାଉଥିବା ଏବଂ ୯୭ ପ୍ରତିଶତ ଯାଏଁ ଉପଭୋକ୍ତା ସ୍ମାର୍ଟଫୋନରେ ପ୍ରାଥମିକ ଭାବେ ଡିଜିଟାଲ ମଞ୍ଚଗୁଡ଼ିକରେ ପହଞ୍ଚୁଥିବା ସ୍ଥଳେ ମୁଦ୍ରିତ ସମ୍ୱାଦପତ୍ରର ଭୂମିକାରେ ବ୍ୟାପକ ପରିବର୍ତ୍ତନ ଘଟିଛି । ପାଠକଙ୍କ ଆଚ଼ରଣକୁ ନେଇ ସମ୍ପାଦକୀୟ ନୀତି ପ୍ରଣୟନ ଯୁକ୍ତିଯୁକ୍ତ ।


 

ସାଧାରଣ ଉପଭୋକ୍ତା ମୋବାଇଲ ଫୋନ ପର୍ଦ୍ଦାରେ ଦୈନିକ ବହୁବାର ପହଞ୍ଚୁଥିବା, କ୍ରମାଗତଭାବେ ପ୍ରସାରଣ ବିଜ୍ଞପ୍ତି ‘ନୋଟିଫିକେସନ’ ପାଉଥିବା ଏବଂ ଦୀର୍ଘ ସମୟଧରି ଉପସ୍ଥିତ ରହୁଥିବା କାରଣରୁ ଚଳନ୍ତି ଘଟଣାକ୍ରମ ସଂପର୍କୀତ ସମ୍ୱାଦ ‘ବ୍ରେକିଂ ନିଉଜ’ ମୋବାଇଲ ଫୋନରୁ ପାଇବା ନିଶ୍ଚିତ । ଅର୍ଥାତ ସମ୍ୱାଦପତ୍ର, ଟେଲିଭିଜନ ଓ ନିଉଜ ପୋର୍ଟାଲରେ ପହଞ୍ଚିବା ଯଥେଷ୍ଟ ସମୟ ପୂର୍ବରୁ ପାଠକ ମୂଳ ସମ୍ୱାଦ ସଂପର୍କରେ ଅବଗତ ରହିଥାଏ । ଅତଏବ ମୋବାଇଲ ଫୋନର ସୋସିଆଲ ମିଡ଼ିଆରେ ପରିବେଷିତ ସମ୍ୱାଦର ବିସ୍ତୃତ ବର୍ଣ୍ଣନା ନିମନ୍ତେ ଟେଲିଭିଜନ, ୱେବପୋର୍ଟାଲ ଓ ସମ୍ୱାଦପତ୍ର ଉପରେ ପାଠକ ନିର୍ଭର କରୁଥିବା ସୁସ୍ପଷ୍ଟ ।


 

ପ୍ରଥମେ ମନେ ରଖିବାକୁ ପଡ଼ିବ ଯେ ଅଧିକାଂଶ ସମ୍ୱାଦପତ୍ର ପାଠକ ଟେଲିଭିଜନ ଓ ସୋସିଆଲ ମିଡ଼ିଆ ଉପଭୋକ୍ତା । ସମ୍ୱାଦ ଆହରଣରେ ଋଚ଼ି ରଖୁଥିବା ବ୍ୟକ୍ତିବିଶେଷ ହିଁ ସମ୍ୱାଦପତ୍ର ଗ୍ରାହକ ଶ୍ରେଣୀଭୁକ୍ତ ହୋଇଥାଏ । ସାଧାରଣତଃ ସେ ଅପେକ୍ଷାକୃତ ଭାବେ ଶିକ୍ଷିତ, ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଓ ସ୍ୱାଧୀନଚେତା । ପରିବର୍ତ୍ତିତ ପରିବେଶରେ ସ୍ମାର୍ଟଫୋନ ଅନବରତ ସମ୍ୱାଦପତ୍ର ପାଠକଙ୍କ ହାତପାଆନ୍ତାରେ ରହୁଥିବା ଏବଂ ଅଭ୍ୟାସ ଦୃଷ୍ଟିରୁ ସୋସିଆଲ ମିଡ଼ିଆ ଦୈନନ୍ଦିନ ଜୀବନରେ ଭାବ ବିନିମୟର କେନ୍ଦ୍ରବିନ୍ଦୁ ପାଲଟୁଥିବା ଅବସରରେ ଡ଼ିଜିଟାଲ ମଞ୍ଚ ସମ୍ୱାଦ ପରିବେଷଣର ମୂଳଉତ୍ସରେ ପରିଣତ ହେବା ସ୍ୱାଭାବିକ ।


 

ସୋସିଆଲ ମିଡ଼ିଆ ପୋଷ୍ଟ, ହ୍ୱାଟସଆପ ଫରୱାର୍ଡ ଓ ଇ-ମେଲ ନିଉଜଲେଟରରେ ସ୍ଥାନିତ ସମ୍ୱାଦର ଅବୟବ ସଂକ୍ଷିପ୍ତ । କୌଣସି ନିର୍ଦ୍ଦିଷ୍ଟ ସମ୍ୱାଦ ସଂପର୍କରେ ଅଧିକ ଜାଣିବା ନିମନ୍ତେ ପାଠକ ବା ଦର୍ଶକ ସମ୍ୱାଦ ପୋର୍ଟାଲରେ ପାଠ୍ୟ କିମ୍ୱା ଅନ୍ୟତ୍ର ଭିଡ଼ିଓ ଖୋଜିଥାଏ । ଏହି ଅନୁସନ୍ଧାନ ତତକ୍ଷଣାତ ସମ୍ପନ୍ନ ହେବାପରେ ଦୀର୍ଘ ସମୟ ବ୍ୟବଧାନରେ ସାଧାରଣତଃ ଦୈନିକ ମୁଦ୍ରିତ ସମ୍ୱାଦପତ୍ରର ପ୍ରଭାତ ସଂସ୍କରଣ ଆହୁରି ଅଧିକ ଜାଣିବା ନିମନ୍ତେ ପାଠ କରେ ।


 

ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ସୋସିଆଲ ମିଡ଼ିଆରୁ ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରେ ପହଞ୍ଚିବା ପ୍ରକ୍ରିୟା ଆନ୍ତର୍ଜାତିକସ୍ତରରୁ ଗଭୀର ଆଞ୍ଚଳିକସ୍ତର ଯାଏଁ ପରିବ୍ୟାପ୍ତ । ତେବେ ଓଡ଼ିଶା ଭଳି ରାଜ୍ୟରେ ଇଣ୍ଟରନେଟର ବ୍ୟାପ୍ତି ସଂକୁଚିତ ଏବଂ ସ୍ମାର୍ଟଫୋନର ବ୍ୟବହାର ୨୮ରୁ ୩୫ ପ୍ରତିଶତରେ ସୀମିତ ରହୁଥିବା ହେତୁ ରାଜ୍ୟବ୍ୟାପୀ ଜନସାଧାରଣ ପ୍ରବାହିତ ଧାରା ‘ଟ୍ରେଣ୍ଡ’ର ପରିପାଳନ ଆଶା କରାଯାଇନପାରେ । ତେବେ ମୁଦ୍ରିତ ସମ୍ୱାଦପତ୍ର ଗ୍ରାହକଶ୍ରେଣୀଭୁକ୍ତ ପାଠକଶ୍ରେଣୀ ମୁଖ୍ୟତଃ ସହରାଞ୍ଚଳରେ ବସବାସ କରୁଥିବା ଶିକ୍ଷିତ ଓ ଆର୍ଥିକ ସ୍ୱଚ୍ଛଳ ବର୍ଗରେ ଅନ୍ତର୍ଭୁକ୍ତ ଥିବା ହେତୁ ପ୍ରଚଳିତ ଜାତୀୟ ଓ ଆନ୍ତର୍ଜାତିକ ଧାରାରୁ ବିଚ୍ୟୁତ ନୁହନ୍ତି ବୋଲି କୁହାଯାଇପାରେ । ଅପରପକ୍ଷେ ଟେଲିଭିଜନ ରାଜ୍ୟର ଅଧିକାଂଶ ପରିବାରଙ୍କ ଗୃହରେ ପହଞ୍ଚି ସାରିଥିବା ପରିବେଶ ଟେଲିଭିଜନକୁ ସମ୍ୱାଦର ପ୍ରଥମ ଓ ସମ୍ୱାଦପତ୍ରକୁ ଦ୍ୱିତୀୟ ସୂତ୍ର ପର୍ଯ୍ୟାୟଭୁକ୍ତ କରିଥାଏ ।


 

ମୁଦ୍ରିତ ସମ୍ୱାଦପତ୍ର କ୍ରମଶଃ ସମ୍ୱାଦ ପରିବେଷଣରେ ବର୍ଣ୍ଣନାତ୍ମକ ‘ଡିସକ୍ରିପଟିଉଭ’, ଅନୁଶୀଳନାତ୍ମକ ‘ଅନାଲିଟିକାଲ’, ଅନୁସନ୍ଧାନତ୍ମକ ‘ଇନଭେଷ୍ଟିଗେଟିଭ’, ଅଭିମତ ‘ଓପିନିୟନ’ ଓ ପ୍ରାମାଣିକ ‘ଡ଼କ୍ୟୁମେଣ୍ଟରି’ ଭୂମିକା ନିର୍ବାହ କରିବା ପାଠକ ସମାଜରେ ଆଶା କରାଯାଉଛି । ମହାମାରୀ-ପର ଗଣମାଧ୍ୟମ ପରିବେଶରେ ମୁଦ୍ରିତ ସମ୍ୱାଦପତ୍ର ବୈଷୟିକ ପ୍ରଗତି ଓ ବ୍ୟାବସାୟିକ ଢ଼ାଞ୍ଚା ପରିବର୍ତ୍ତନ କାରଣରୁ ଦୁର୍ବଳ ସ୍ଥିତିରେ ପହଞ୍ଚୁଥିବା ଅବସରରେ ପାଠକ ଓ ଗ୍ରାହକ ସଂରକ୍ଷଣ ଉଦ୍ୟମରେ ପାଠକୀୟ ଆଗ୍ରହ ଓ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସମ୍ପାଦକୀୟ ନୀତି ପ୍ରଯୋଜନା କରିବା ତାତ୍ପର୍ଯ୍ୟପୂର୍ଣ୍ଣ ।


 

ଦୈନିକ ସମ୍ୱାଦପତ୍ର ଆଙ୍ଗିକରେ ଦୀର୍ଘ ରଚନାକୁ ଅଗ୍ରାଧିକାର ଦେବା ପରିବର୍ତ୍ତିତ ସଂପାଦକୀୟ ନୀତି ନିର୍ଦ୍ଧାରଣର ଅଂଶବିଶେଷ ଭାବେ ଗ୍ରହଣଯୋଗ୍ୟ । ଏକ ପକ୍ଷରେ ସମ୍ୱାଦର ଗୁରୁତ୍ୱ ‘ନିଉଜ ଭେଲ୍ୟୁ’ ପରିମାପରେ ଆଗ୍ରହ-ଉଦ୍ଦୀପକ ଘଟଣାକ୍ରମ ଉପସ୍ଥାପନରେ ଦୀର୍ଘ ରଚନାକୁ ଅଗ୍ରାଧିକାର ଦିଆଯାଇପାରେ । ଅପରପକ୍ଷରେ ଦୀର୍ଘ ରଚନା ନିଷ୍ପତ୍ତିକୁ ଭିତ୍ତିକରି ସମ୍ୱାଦପତ୍ରରେ ସ୍ୱତନ୍ତ୍ର ପୃଷ୍ଠାମାନ ମଧ୍ୟ ପ୍ରଯୋଜନା କରାଯାଇପାରେ ।


 

ଉଦାହରଣରେ ସମ୍ପାଦକୀୟ ପାର୍ଶ୍ୱ ଅଭିମତ ପୃଷ୍ଠା ‘ଓପଜିଟ ଏଡ଼ିଟୋରିଆଲ ବା ଓପ-ଏଡ଼ ପେଜ’ ଦୈନିକ ସଂସ୍କରଣଗୁଡ଼ିକ ଦୀର୍ଘ ରଚନା ନିମନ୍ତେ ସଂରକ୍ଷିତ ରଖାଯାଇପାରେ । ଏକ ବର୍ଣ୍ଣାଳୀରେ ସୋମବାର ଦିନ ପୁସ୍ତକ ସମୀକ୍ଷା, ମଙ୍ଗଳବାର ଦିନ ବର୍ଣ୍ଣନାତ୍ମକ ଦୀର୍ଘ ସମ୍ୱାଦ ‘ଡିସକ୍ରିପଟିଉଭ’, ବୁଧବାର ଦିନ ଅନୁସନ୍ଧାନମୂଳକ ‘ଇନଭେଷ୍ଟେଗେଟିଭ’, ଗୁରୁବାର ଦିନ ଦୀର୍ଘ ସାକ୍ଷାତକାର ‘ଇଣ୍ଟରଭ୍ୟୁ’, ଶୁକ୍ରବାର ଦିନ ଜନଜୀବନ ‘ଲାଇଫ ଷ୍ଟାଇଲ’, ଶନିବାର ଦିନ ଅପରାଧ ‘କ୍ରାଇମ’ ଓ ରବିବାର ଦିନ ବିତର୍କ ‘ଡ଼ିବେଟ’କୁ ନେଇ ସ୍ୱତନ୍ତ୍ର ପୃଷ୍ଠାମାନ ସନ୍ନିବଶିତ କରାଯାଇପାରେ ।


 

‘ପୁସ୍ତକ ସମୀକ୍ଷା’ ପୃଷ୍ଠାରେ ଗୁଡ଼ାଏ ପୁସ୍ତକର ପ୍ରଚ୍ଛଦ ଚ଼ିତ୍ର ସହ ଲେଖକ, ପ୍ରକାଶକ ଓ ମୂଲ୍ୟ ଉଲ୍ଲେଖ କଲେ କିମ୍ୱା ସାଧାରଣ ଭାବେ ଦୁଇ ପଦ ଲେଖିଦେଲେ ତାହା ପୁସ୍ତକକୁ ବିଜ୍ଞପିତ କରିଥାଏ, ଏଭଳି ସମୀକ୍ଷାରେ ପାଠକକୁ କିଛି ପଢ଼ିବାକୁ ମିଳିନଥାଏ । ଏହା ପରିବର୍ତ୍ତେ ପୁରା ପୃଷ୍ଠାରେ ଗୋଟିଏ ବା ଦୁଇଗୋଟି ପୁସ୍ତକର ବଡ଼ ସାନ ଉଲ୍ଲେଖନୀୟ ଉଦ୍ଧୃତି ‘ଏକ୍ସଟ୍ରାଟସ’ ପ୍ରକାଶ କଲେ ପାଠକ ପୁସ୍ତକରେ ଚର୍ଚ୍ଚିତ ବିଷୟବସ୍ତୁ ସଂପର୍କରେ ସମ୍ୟକ ଧାରଣା ଲାଭ କରିପାରେ । ଏହା ପାଠକୀୟ ଅନୁଭବକୁ ପଲକପାତ ‘ଗ୍ଳେନସ’ ବା ‘ବ୍ରାଉଜିଂ’ଠାରୁ ପଠନସ୍ତରକୁ ଉନ୍ନୀତ କରିବା ସମ୍ଭବ ।


 

ସେହିପରି ‘ବିତର୍କ’ ପୃଷ୍ଠାରେ ଏକ ନିର୍ଦ୍ଦିଷ୍ଟ ବିଷୟର ବିଭିନ୍ନ ଦିଗ ସଂପର୍କରେ ଏକାଧିକ ବିଶେଷଜ୍ଞଙ୍କ ଅଭିମତ ଏକତ୍ରୀତ କରି ପ୍ରକାଶ କଲେ ପାଠକ ସାମଗ୍ରୀକଭାବେ ବିତର୍କିତ ବିଷୟର ଦିଗଦିଗନ୍ତ ଅବଗତ ହୋଇପାରେ । ଉଭୟ ପୁସ୍ତକ ଉଦ୍ଧୃତି ଓ ଅଭିମତ ସଂକଳନ ଉଚ୍ଚ ପର୍ଯ୍ୟାୟର ସଂପାଦକୀୟ ଦକ୍ଷତା ଆବଶ୍ୟକ କରେ । ଗଭୀର ଅଧ୍ୟୟନଲବ୍ଧ ପ୍ରସ୍ତୁତ ସାରାଂଶ ପାଠକ ସମ୍ମୁଖରେ ଉପସ୍ଥାପନ କଲେ ପାଠକୀୟ ଆଗ୍ରହ ସୃଷ୍ଟି ନିଶ୍ଚିତ ବୋଲି ବିଶ୍ୱାସ କରାଯାଇପାରେ ।

 

 

ସ୍ଥଳବିଶେଷରେ କୌଣସି ପୃଷ୍ଠା ସାପ୍ତାହିକ ସଂସ୍କରଣରେ ସୀମାବଦ୍ଧ ନରଖି ପର୍ଯ୍ୟାୟକ୍ରମେ ‘ସିରିଜ’ ଆକାରରେ ମଧ୍ୟ ପ୍ରକାଶନର ବ୍ୟବସ୍ଥା କରାଯାଇପାରେ । ଉଦାହରଣରେ ଏକ ବଡ଼ ଅନୁସନ୍ଧାନ ଗୋଟିଏ ପୃଷ୍ଠାରେ ସୀମାବଦ୍ଧ ନରହି ପରବର୍ତ୍ତୀ ସପ୍ତାହର ସଂରକ୍ଷିତ ପୃଷ୍ଠାକୁ ମଧ୍ୟ ଲମ୍ପ ପ୍ରଦାନ କରିପାରେ । ଗୋଟିଏ ଭଲ ସାକ୍ଷାତକାର ଦୁଇ ତିନି ସଂସ୍କରଣକୁ ସଂପ୍ରସାରିତ ହେଲେ ମଧ୍ୟ ଅସୁବିଧା ନାହିଁ । ତେବେ ରଚ଼ନାଗୁଡ଼ିକ କେତେଦୂର ପାଠକୀୟ ଆଗ୍ରହ ଉଦ୍ରେକ କରିପାରୁଛି ତାହା ବିଚାର୍ଯ୍ୟ । ଚିରାଚରିତ ଭାବେ ପାଠକ ଯଦି ଦୀର୍ଘ ରଚନାର ଶୀର୍ଷକ ପଢ଼ି ପୃଷ୍ଠା ଓଲଟାଏ ତେବେ ଉଦ୍ୟମ ଫସରଫାଟିବ ।


 

ମୁଦ୍ରିତ ସମ୍ୱାଦପତ୍ରରେ ଦୀର୍ଘରଚନା ପ୍ରକାଶନ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ତନ୍ନ ତନ୍ନ କରି ପରୀକ୍ଷା କରିବା ସୁଯୋଗ ସୃଷ୍ଟି କରେ । ଅନେକ ସମୟରେ ଗ୍ରାମାଞ୍ଚଳର ସାମ୍ୱାଦିକମାନେ ବହୁ ଉଲ୍ଲେଖନୀୟ ତଥ୍ୟ ସଂସ୍ପର୍ଶରେ ଆସୁଥିଲେହେଁ ସମ୍ପାଦକୀୟ ବିଭାଗର କାଟଛାଟ ଅଭ୍ୟାସକୁ ନଜରରେ ରଖି ବହୁ ସଂଲଗ୍ନ ବିଷୟ ଉଲ୍ଲେଖହିଁ କରି ନଥାନ୍ତି । ସାମ୍ୱାଦିକତାରେ ଉତ୍କର୍ଷତା ସୃଷ୍ଟି ଉଦ୍ଦେଶ୍ୟରେ ତୃଣମୂଳସ୍ତରର ସାମ୍ୱାଦିକମାନଙ୍କୁ ସମଗ୍ର ବିବରଣୀ ପ୍ରେରଣ କରିବା ନିମନ୍ତେ ଉତ୍ସାହିତ କରାଯିବା ଉଚିତ । ସମ୍ପାଦନାସ୍ତରରେ ସମ୍ୱାଦର ଗୁରୁତ୍ୱ ପରିମାପରେ ତାହା ସଂକ୍ଷିପ୍ତ କିମ୍ୱା ଦୀର୍ଘ ରଚନା ଆକାରରେ ପ୍ରକାଶ କରାଯାଇପାରେ । ସ୍ଥଳବିଶେଷରେ ମୂଳ ସାମ୍ୱାଦରେ ସନ୍ନିବଶିତ ଗୌଣ ଘଟଣାବଳୀ ସମ୍ୱାଦର ଶୀର୍ଷକରେ ରୂପାନ୍ତରିତ ହେବା ମଧ୍ୟ ସମ୍ଭବ ।


 

ଦୀର୍ଘରଚନାରେ ପାଠକ ଘଟଣାକ୍ରମର ବିଭିନ୍ନ ଦିଗ ସଂପର୍କରେ ଅବଗତ ହେବା ଅବକାଶ ସୃଷ୍ଟି କରିପାରେ । ପାଠକ ଗ୍ରାହକଚାନ୍ଦା ବିନିମୟରେ ୨୪ ଘଣ୍ଟା ଯାଏଁ ଅପେକ୍ଷାକରି ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରେ ପହଞ୍ଚୁଥିବା ଅବସରରେ ତାହାରି ପାଠକୀୟ ଅନ୍ୱେଷଣ ଚ଼ରିତାର୍ଥ କରିବାଲାଗି ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତିକୁ ଏକ ସମ୍ପାଦକୀୟ ଦାୟିତ୍ୱ ବିବେଚନା କରାଯାଇପାରେ । ଦୀର୍ଘରଚନାରୁ ବିଭିନ୍ନ ଦିଗ ଅବଗତ ହୋଇ ସମାଜରେ ବିତର୍କ ସୂତ୍ରପାତ ହେଲେ ତାହା ସମାଜ ସଂସ୍କାର, ପ୍ରଶାସନିକ ଶୃଙ୍ଖଳା ଓ ଗଣତନ୍ତ୍ର ପରିଚାଳନାରେ ସହାୟକ ହୋଇଥାଏ ।


 

ଦୀର୍ଘ ରଚନା ପ୍ରକାଶନ ଓ ସେଥି ନିମନ୍ତେ ସ୍ୱତନ୍ତ୍ର ପୃଷ୍ଠା ପ୍ରଯୋଜନା ସଂପୃକ୍ତ ସମ୍ୱାଦପତ୍ରର ମୌଳିକତା ପରିସ୍ପୁଟନଲାଗି ସୁବିଧାସୁଯୋଗ ସୃଷ୍ଟି କରେ । କ୍ରମଶଃ ସମ୍ୱାଦମଞ୍ଚଗୁଡ଼ିକ ପ୍ରେସ-ବିଜ୍ଞପ୍ତି ଆଧାରିତ ସମ୍ୱାଦରେ ଭରପୁର ହୋଇ ଏକାକାର ହୋଇ ପଡୁଥିବା ଅବସରରେ ଦୀର୍ଘ ରଚନା ପ୍ରକାଶନ ବିବିଧତାକୁ ଉତ୍ସାହିତ କରିବ । ଆବଶ୍ୟକ ସ୍ଥଳେ ସମ୍ୱାଦପତ୍ର ପକ୍ଷରୁ ଲକ୍ଷ୍ୟଭିତ୍ତିକ ‘ଏଜେଣ୍ଡା ସେଟିଂ’ ପଦକ୍ଷେପ ଗ୍ରହଣ ନିମନ୍ତେ ଦୀର୍ଘ ରଚନା ପ୍ରକାଶନ ପ୍ରଶସ୍ତକ୍ଷେତ୍ର ସୃଷ୍ଟି କରିବା ସମ୍ଭବ ।


 

ମୁଦ୍ରିତ ସମ୍ୱାଦପତ୍ରରେ ନିୟମିତ ଦୀର୍ଘରଚନା ପ୍ରକାଶନ ସାଧାରଣ ପାଠକଙ୍କ ପଠନ ଅଭ୍ୟାସ ବୃଦ୍ଧିରେ ସହାୟକ ହେବା ଆଶା କରାଯାଇପାରେ । ଭାଷା ଓ ସୃଜନ ସମୃଦ୍ଧିରେ ମଧ୍ୟ ଏହି ଉଦ୍ୟମ ଯୋଗଦାନ କରିବ । ଓଡ଼ିଆ ଭାଷା ପାଠକ ସଂଖ୍ୟା ବୃଦ୍ଧି ନିମନ୍ତେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଦୀର୍ଘ ରଚନା ପ୍ରକାଶନରେ ସେମାନଙ୍କ ସାମାଜିକ ଦାୟବଦ୍ଧତା ପୂରଣ କରିପାରିବେ । ଲେଖକ ଓ ସମ୍ୱାଦପତ୍ର ପ୍ରତି ପାଠକମାନଙ୍କ ଅନୁରାଗ ସୃଷ୍ଟି ଉଦ୍ୟମ ଗ୍ରାହକ ଅଭିବୃଦ୍ଧିର ସର୍ବାପେକ୍ଷା ସୁରକ୍ଷିତ ପ୍ରଣାଳୀ । ବ୍ୟାବସାୟିକ ବା ସରକାରୀ ବିଜ୍ଞାପନ ମୋହରୁ ବିଯୁକ୍ତ ହୋଇ ସାମ୍ୱାଦିକତା ସେବାଲବ୍ଧ ଆୟରେ ପରିପୁଷ୍ଟ ହେବା ନିମନ୍ତେ ଅନ୍ତତଃପକ୍ଷେ କିଛି ସମ୍ୱାଦ ସଂସ୍ଥା ଏହିଭଳି ଅଭିନବ ପଦକ୍ଷେପ ପ୍ରତି ଆଗ୍ରହ ପ୍ରକାଶ କରି ପାରନ୍ତି । ଏଦିଗରେ ଚେତନା ପ୍ରସାର ଗଣମାଧ୍ୟମ ସାକ୍ଷରତାର ଅଂଶବିଶେଷ ।


 

ମହାମାରୀ-ପର ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଡ଼ିଜିଟାଲ ମଞ୍ଚ ମୁଦ୍ରିତ ସମ୍ୱାଦପତ୍ରର ମୁଖ୍ୟ ପ୍ରତିଦ୍ୱନ୍ଦୀ ସାଜିଥିବା ଏବଂ ଅଧିକରୁ ଅଧିକ ସଂଖ୍ୟକ ଗଣମାଧ୍ୟମ ଉପଭୋକ୍ତା ଅଡ଼ିଓ ଓ ଭିଡ଼ିଓ ସାମ୍ୱାଦିକତା ପ୍ରତି ଆକର୍ଷିତ ହେଉଥିବା ଅବସରରେ ମୁଦ୍ରିତ ସମ୍ୱାଦପତ୍ର ନିଜର ସ୍ୱତନ୍ତ୍ର ପରିଚ଼ିତି ସୃଷ୍ଟି କରିବା ଅନିବାର୍ଯ୍ୟ ହୋଇପଡ଼ିଛି । ୟୁ-ଟ୍ୟୁବ ଭଳି ନିଃଶୁଳ୍କ ମଞ୍ଚଗୁଡ଼ିକରେ ସମ୍ୱାଦଭିତ୍ତିକ ଭିଡ଼ିଓ ଯୁକ୍ତରାଷ୍ଟ୍ର ଆମେରିକାର ୨୬ ପ୍ରତିଶତ ଯାଏଁ ଜନସାଧାରଣ ଅଗ୍ରାଧିକାର ଦେଉଥିବା ଭଳି ତଥ୍ୟ ତଥା ଓଟିଟି ମଞ୍ଚଗୁଡ଼ିକରେ ସତ୍ୟ ଘଟଣା ଆଧାରିତ ଅପରାଧ ଓ ରାଜନୀତିକ ସୃଜନର ଲୋକପ୍ରିୟତା ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ନିମନ୍ତେ ସମ୍ପାଦକୀୟ ନୀତିରେ ନୂତନତା ପରିପ୍ରକାଶ ନିମନ୍ତେ ବାଧ୍ୟବାଧକତାରେ ପରିଣତ ହୋଇଛି ବୋଲି ବିଚାର କରିବାକୁ ପଡ଼ିବ ।   



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜାନୁୟାରୀ ୨୦୨୧

ସମ୍ୱାଦ ଉତ୍ସରୁ ସାହିତ୍ୟ

ଦୈନିକ ‘ସମ୍ୱାଦ’ ୨୩ ଅଗଷ୍ଟ ୨୦୨୦ ସଂସ୍କରଣର ‘ସାହିତ୍ୟ’ ପୃଷ୍ଠାରେ ପ୍ରକାଶିତ ‘ଜୀବନର ଜଳଛବି’ ସ୍ତମ୍ଭରେ ‘ନାରୀର ମୂଲ୍ୟ’ ରଚନାରେ ଦୁଇଗୋଟି ଚାଞ୍ଚଲ୍ୟକାରୀ ସମ୍ୱାଦ ଅନୁଶୀଳନ କରାଯାଇଛି ।


 

ପ୍ରଥମଟି ଓଡ଼ିଶାର ମାଲକାନଗିରି ମାଥିଲି ଅଞ୍ଚଳରେ ‘କୋଭିଡ଼-୧୯’ ମହାମାରୀ ସଂକ୍ରମଣ କାଳରେ ଜଣେ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ଶବ କିପରି ତୁରନ୍ତ ସତ୍କାର ଉଦ୍ଦେଶ୍ୟରେ ତାଙ୍କରି ପତ୍ନୀ ଚ଼ିତାଗ୍ନି ଦେଇଥିଲେ । ଦ୍ୱିତୀୟଟି ତାମିଲନାଡୁ ପେରାମ୍ୱାଲୁରଠାରେ ସ୍ନାନସାରି ଫେରୁଥିବା ତିନିଜଣ ମଧ୍ୟବୟସ୍କା ମହିଳା ରାସ୍ତାକଡ଼ର ଜନଶୂନ୍ୟ ବନ୍ଧରେ ସନ୍ତରଣ ବେଳେ ଚାରିଜଣ ଯୁବକ ବୁଢ଼ି ଯାଉଥିବା ଦେଖି ଅନ୍ୟ ଉପାୟ ନପାଇ ନିଜ ପିନ୍ଧା ଲୁଗା ଗଣ୍ଠିକରି ଅସହାୟ ଯୁବକଙ୍କ ଆଡ଼କୁ ଫିଙ୍ଗି ଉଲଗ୍ନ ଅବସ୍ଥାରେ କିପରି ଦୁଇ ଜଣଙ୍କୁ ବଞ୍ଚାଇ ପାରିଥିଲେ । ଦୁଇଗୋଟି ସମ୍ୱାଦ ଉପସ୍ଥାପନର ଉଦ୍ଦେଶ୍ୟ ସାମାଜିକ ବ୍ୟବସ୍ଥାରେ ନାରୀମାନଙ୍କ ମହନୀୟ ଅବଦାନ ବର୍ଣ୍ଣନାରେ ପର୍ଯ୍ୟବସିତ ।


 

‘ସମ୍ୱାଦ’ର ଫିଚର ସମ୍ପାଦକ କାର୍ଯ୍ୟନିର୍ବାହ କରୁଥିବା ଗୌରହରି ଦାସଙ୍କ ‘ଜୀବନର ଜଳଛବି’ ମୂଳ ସମ୍ୱାଦପତ୍ରର ରବିବାର ସଂସ୍କରଣରେ ସ୍ଥାନିତ ‘ସାହିତ୍ୟ’ ପୃଷ୍ଠାରେ ପ୍ରକାଶିତ ହୋଇଥିବା ହେତୁ ତାହାକୁ ସାହିତ୍ୟ ସ୍ତମ୍ଭ ପରିସରଭୁକ୍ତ କରାଯାଇପାରେ । ଲେଖକ ‘ସମ୍ୱାଦ’ର ପ୍ରକାଶନ ଆରମ୍ଭ ସମୟରୁ କାର୍ଯ୍ୟରତ ଏବଂ ସାହିତ୍ୟ ପୃଷ୍ଠା ପ୍ରଯୋଜନାରେ ସଂପୃକ୍ତ ରହିଆସିଥିବା କାରଣରୁ ସ୍ତମ୍ଭଟି ବହୁ ପୁରାତନ । ଓଡ଼ିଆ ପତ୍ରପତ୍ରିକାରେ ସାହିତ୍ୟ ସ୍ତମ୍ଭ ପ୍ରକାଶନ ପ୍ରାୟ ବିରଳ ଥିବା ସ୍ଥଳେ ଏତେ ଦୀର୍ଘକାଳ ପ୍ରକାଶିତ ଅନ୍ୟ କୌଣସି ଉଦାହରଣ ଦୃଷ୍ଟିକୁ ଆସେ ନାହିଁ ।


 

ସମ୍ୱାଦ ସ୍ତମ୍ଭଗୁଡିକରେ ସମକାଳରେ ସଂଘଟିତ ସମ୍ୱାଦର ବିବରଣୀକୁ ଭିତ୍ତିକରି ରଚନାକୁ ମୌଳିକ ଶୈଳୀ ରୂପେ ଗ୍ରହଣ କରାଯାଇଥାଏ । ଆଲୋଚ୍ୟ ବିଷୟବସ୍ତୁର ଅବତରଣା ନିମନ୍ତେ ବାସ୍ତବ ଘଟଣାକ୍ରମ ଉପକ୍ରମଣିକାଭାବେ କାର୍ଯ୍ୟ ତୁଲାଏ । ବିଶ୍ଳେଷଣ, ଉଦାହରଣ ପ୍ରଦାନ ଓ ମୂଲ୍ୟାୟନ ଉପସ୍ଥାପନ ସ୍ତମ୍ଭ ରଚନା ନିମନ୍ତେ ଉପାଦାନ ଯୋଗାଇଥାଏ ।


 

ଅପରପକ୍ଷେ ସାହିତ୍ୟ ସ୍ତମ୍ଭ ରଚନାରେ ସମ୍ୱାଦର ଭୂମିକା ଗୌଣ କିମ୍ୱା ଅନାବଶ୍ୟକ । ସମ୍ୱାଦ ସ୍ତମ୍ଭଗୁଡ଼ିକ ସାଂପ୍ରତିକ ଘଟଣା ପ୍ରବାହ ଅନୁଶୀଳନ ଆଶ୍ରିତ ଥିବା ସ୍ଥଳେ ସାହିତ୍ୟ ସ୍ତମ୍ଭରେ ସେହି ବାଧ୍ୟବାଧକତା ନଥାଏ । ଅବଶ୍ୟ ସମକାଳୀନ ଜନଜୀବନର ପ୍ରତିଛବି ଗଢ଼ି ତୋଳିବା ନିମନ୍ତେ ସାହିତ୍ୟକମାନେ ପ୍ରକାଶିତ ସମ୍ୱାଦରୁ ଉପାଦାନ ସଂଗ୍ରହ କରିଥାନ୍ତି ।


 

ସମ୍ୱାଦ ଆଧାରରେ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ରଚନାର ଦୀର୍ଘ ପରମ୍ପରା ରହିଆସିଛି । ନାଟକ ଓ କବିତା ମଧ୍ୟ ପ୍ରକାଶିତ ସମ୍ୱାଦ ଦ୍ୱାରା ପ୍ରଭାବିତ ହେବା ଦେଖିବାକୁ ମିଳେ । କିନ୍ତୁ ସମ୍ୱାଦ ଓ ସାହିତ୍ୟ ଦୁଇ ଭିନ୍ନ ଦିଗରେ ସୃଜନ ସଂପୃକ୍ତିକୁ ବୁଝାଇଥାଏ । ସାହିତ୍ୟ ଯେ ସମ୍ୱାଦ ପ୍ରଧାନ ନୁହଁ ଏହା ଏକ ଉଲ୍ଲେଖଯୋଗ୍ୟ ତତ୍ତ୍ୱ । ତେଣୁ ସାହିତ୍ୟ ସ୍ତମ୍ଭରେ ସମ୍ୱାଦ ବର୍ଣ୍ଣନା ଅଭ୍ୟାସଗତ ପନ୍ଥାର ବ୍ୟତିକ୍ରମ ।


 

‘ନାରୀର ମୂଲ୍ୟ’ ରଚନାଟି ଓଡ଼ିଶାର ଗ୍ରାମ୍ୟ ପରିବେଶରେ ଦୁଇଜଣ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଆଳାପ ଆଲୋଚନା ଆଧାରିତ । ଦୁଇଗୋଟି ସମ୍ୱାଦର ବିବରଣୀ ଉପସ୍ଥାପନ ଭିନ୍ନ ରଚନାଟିରେ କୌଣସି କାଳ୍ପନିକ ପ୍ରସଙ୍ଗ ଯୋଡ଼ା ଯାଇନାହିଁ । କେବଳ ପରିବେଶ ବର୍ଣ୍ଣନାରେ ସୀମିତ । ତେବେ ଅନ୍ୟତ୍ର ସମସାମୟିକ ସମ୍ୱାଦକୁ ଭିତ୍ତିକରି କାଳ୍ପନିକ ବିବରଣୀ ଆକାରରେ ସାହିତ୍ୟ ସୃଜନ ନିମନ୍ତେ ଉଦ୍ୟମର ଉଦାହରଣ ମଧ୍ୟ ଦୃଷ୍ଟିକୁ ଆସିଥାଏ । ମାର୍ଚ୍ଚ ୨୦୨୦ରୁ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୂୟର୍କ ନଗରୀରୁ ‘ଦି କ୍ରୋନିକାଲ୍ସ ଅଫ ନାଓ’ ନାମକ ଏକ ଅନଲାଇନ ସାହିତ୍ୟ ପତ୍ରିକା ଆତ୍ମପ୍ରକାଶ କରିଥିଲା । ଏଥିରେ ସମସାମୟିକ ସମ୍ୱାଦକୁ ଭିତ୍ତିକରି କାଳ୍ପନିକ ସାହିତ୍ୟ ସୃଜନକୁ ଉତ୍ସାହିତ କରାଯାଇଥିଲା ।


 

ଖ୍ୟାତନାମା ମାର୍କିନ ପ୍ରକାଶନ ‘ଏସକ୍ୱାଏର’ ସମ୍ପାଦନାରେ ଦୀର୍ଘକାଳ ଅତିବାହିତ କରିଥିବା ଟାଇଲର କାବୋଟ ‘ଦି କ୍ରୋନିକାଲ୍ସ ଅଫ ନାଓ’ର ପ୍ରତିଷ୍ଠାତା ପ୍ରକାଶକ ଓ ସମ୍ପାଦକ । ‘ଏସକ୍ୱାଏର’ ଏକ ଦ୍ୱିମାସିକ ପତ୍ରିକା । ଯୁକ୍ତରାଷ୍ଟ୍ର ଆମେରିକାରେ ଅର୍ଥନୀତିକ ସଂକଟ ‘ଗ୍ରେଟ ଡ଼ିପ୍ରେସନ’ କାଳରେ ୧୯୩୩ରୁ କ୍ରମାଗତ ପ୍ରକାଶିତ ଏହି ପତ୍ରିକା ସମକାଳରେ କୋଡ଼ିଏ ଗୋଟି ଆନ୍ତର୍ଜାତିକ ସଂସ୍କରଣରେ ଉଭୟ ମୁଦ୍ରିତ ଓ ଅନଲାଇନରେ ଉପଲବ୍ଧ । ଏଥିରେ ପୁରୁଷ ପ୍ରଧାନ ଜୀବନଯାତ୍ରା, ଫେସନ ଓ ସାମାଜିକ ପ୍ରବାହ ‘ଟ୍ରେଣ୍ଡ’କୁ ଗୁରୁତ୍ୱ ଦିଆଯାଉଥିବା ସ୍ଥଳେ ଉଚ୍ଚକୋଟୀର ସାହିତ୍ୟିକମାନଙ୍କ ରଚନା ମଧ୍ୟ ସନ୍ନିବଶିତ ହୋଇଥାଏ । କାବୋଟ ‘ଏସକ୍ୱାଏର’ରେ ବରିଷ୍ଠ ଫିଚର ଓ ସାହିତ୍ୟ ସମ୍ପାଦକଭାବେ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ନିଯୁକ୍ତ ଥିଲେ ।


 

‘ଦି କ୍ରୋନିକାଲ୍ସ ଅଫ ନାଓ’ ଅନଲାଇନରେ ପ୍ରାଥମିକ ଅବସ୍ଥାରେ ସପ୍ତାହରେ ଗୋଟିଏ ନୂତନ ରଚନା ପ୍ରକାଶ ପାଇଥାଏ । ନିର୍ଦ୍ଦିଷ୍ଟ ସଂଖ୍ୟକ ଅଭିଜ୍ଞ ଲେଖକଙ୍କୁ ନେଇ ଗଠିତ ଏକ ଗୋଷ୍ଠୀ ସମସାମୟିକ ଏକ ଘଟଣାକୁ ଆଧାର କରି କ୍ଷୁଦ୍ରଗଳ୍ପଟିଏ ଲେଖିଥାନ୍ତି । ରଚନା ପାର୍ଶ୍ୱ ‘ସାଇଡ଼ ବାର’ରେ ବାସ୍ତବିକ ଘଟଣାକ୍ରମର ବିଶଦ ବିବରଣୀ ସ୍ଥାନିତ ହୋଇଥାଏ । ଅର୍ଥାତ, ପାଠକ କାଳ୍ପନିକ କ୍ଷୁଦ୍ରଗଳ୍ପ ପାଠ କରିବା ଅବସରରେ ପ୍ରକୃତ ତଥ୍ୟ କ’ଣ ତାହା ମଧ୍ୟ ଜାଣିବା ପ୍ରାବଧାନ ରଖାଯାଇଥାଏ ।


 

‘ଦି କ୍ରୋନିକାଲ୍ସ ଅଫ ନାଓ’ରେ ପ୍ରତ୍ୟେକ ରଚନା ଆରମ୍ଭରେ ସମ୍ୱାଦ ଉତ୍ସର ଶିରେନାମା ସୂଚ଼ିତ କରାଯିବା ସହ ଶେଷରେ ଉକ୍ତ ବିଷୟରେ ଅଧିକା ଜାଣିବା ସକାଶେ ଅନଲାଇନରେ ଅଧିକା କ’ଣ ସବୁ ରଚନା, ପଡ଼କାଷ୍ଟ ବା ଭିଡ଼ିଓ ଉପଲବ୍ଧ ସେଗୁଡ଼ିକର ଏକ ତାଲିକା ଲିଙ୍କ ଆକାରରେ ଦିଆଯାଇଥାଏ । ପାଠକ ଅନାୟସରେ ସେଗୁଡ଼ିକୁ କ୍ଳିକ କରି ଫଳପ୍ରଦ ଅନୁସନ୍ଧାନ କରିପାରେ । ସ୍ଥଳବିଶେଷରେ ପ୍ରସ୍ତୁତ କ୍ଷୁଦ୍ରଗଳ୍ପଗୁଡ଼ିକରେ ଚରିତ୍ର ଓ ପରିବେଶ ବାସ୍ତବତା ଅନୁସରଣ କରୁଥିବା ସ୍ଥଳେ ସେହି ସବୁ ଦିଗରେ କାଳ୍ପନିକତା ଲାଗି ସୁଯୋଗ ଉନ୍ମୁକ୍ତ ରହିଥାଏ । ଅର୍ଥାତ, କେତେକ କ୍ଷୁଦ୍ରଗଳ୍ପ ପ୍ରକୃତ ଘଟଣାକୁ ମାପିଚୁପି ଅନୁସରଣ କରୁଥିବା ସ୍ଥଳେ ଅନ୍ୟ କେତେକ କଳ୍ପନା ପ୍ରବଣତା ଆଡ଼କୁ ମୁହାଁଇଥାଏ ।


 

ଏଭଳି ଏକ ଅଣପାରମ୍ପରିକ ଉଦ୍ୟମର ଉଦ୍ଦେଶ୍ୟ ସଂପର୍କରେ କାବୋଟ କହନ୍ତି ଯେ ସମସାମୟିକ ଘଟଣାବଳୀ ସଂପର୍କରେ ସମ୍ୱାଦ ବିବରଣୀରୁ ଅବଗତ ହେବା ସମ୍ଭବ ଥିବା ସ୍ଥଳେ ସମ୍ୱାଦକୁ ଉତ୍ସକରି ସାହିତ୍ୟ ସୃଜନରେ ବାସ୍ତବିକ ଘଟଣାର ବହୁବିଧ ଦିଗ ଉନ୍ମୋଚନ ଓ ମୂଲ୍ୟାୟନ ସଂଭବ । ଗୋଟିଏ ଘଟଣା ଉନ୍ନତ ପରିବେଶରେ କିମ୍ୱା ଅନୁନ୍ନତ ପରିବେଶରେ କ’ଣ ହୋଇପାରନ୍ତା ତଥା ଅତୀତରେ କେଉଁ ରୂପ ଧାରଣ କରିଥାନ୍ତା କିମ୍ୱା ଭବିଷ୍ୟତରେ କେଉଁ ରୂପ ଧାରଣ କରିପାରିବ ଇତ୍ୟାଦି ଦିଗରୁ ତର୍ଜମା ନିମନ୍ତେ ଦ୍ୱାର ଉନ୍ମୁକ୍ତ ହେଲେ ପାଠକ ସମସାମୟିକ ଘଟଣାକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରିବା ନିମନ୍ତେ ସୁଯୋଗ ଉପଲବ୍ଧ ହୋଇପାରିବ ।


 

ସମ୍ୱାଦ ବିବରଣୀକୁ କ୍ଷୁଦ୍ରଗଳ୍ପ ରୂପେ କାଳ୍ପନିକ ସାହିତ୍ୟ ସୃଷ୍ଟି ଅସତ୍ୟ ସମ୍ୱାଦ ‘ଫେକ ନ୍ୟୂଜ’ ପ୍ରଯୋଜନାରେ ସହାୟକ ହେବା ସଂଭବ ବୋଲି ସମାଲୋଚନାର ସମ୍ମୁଖୀନ ହେବା ଅବସରରେ ରଚନାଗୁଡ଼ିକ ସଂପୂର୍ଣ୍ଣ କାଳ୍ପନିକ ‘ଫିକ୍ସନାଲ’ ବୋଲି ପ୍ରକାଶନରେ ସୂଚ଼ିତ କରିବା ଭିନ୍ନ ଅନ୍ୟ ଉପାୟ ନଥାଏ । ତେବେ ସମ୍ୱାଦ ଉତ୍ସରୁ ସାହିତ୍ୟ ସୃଷ୍ଟି କଳାକୌଶଳ ଉପଯୋଗରେ ରାଜନୀତିକ, ବ୍ୟାବସାୟିକ ଓ ଅନ୍ୟାନ୍ୟ ଲାଭଦାୟକ ସାମାଜିକ ପର୍ଯ୍ୟାୟରେ ବିଶୃଙ୍ଖଳା ସୃଷ୍ଟି ଯେ ସଂଭବପର ସେଥିରେ ଦ୍ୱିମତ ନାହିଁ । ବିଶେଷକରି ଅନଲାଇନ ପରିବେଶରେ କେତେକ କ୍ଷେତ୍ରରେ ଅସତ୍ୟ, ଅତିରଞ୍ଜିତ ଓ ଅଣସ୍ୱୀକୃତ ସୂଚନାର ହାର ଶତକଡ଼ା ୯୧ ପ୍ରତିଶତ ଯାଏଁ ଗଣିତ ହେଉଥିବା ଗବେଷଣାରୁ ଜଣାଯାଉଥିବା ସ୍ଥଳେ ସାହିତ୍ୟର ଦୁରୋପଯୋଗ ଆଶଙ୍କାକୁ ଟାଳି ଦେଇ ହେବ ନାହିଁ ।    



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୮ ଅଗଷ୍ଟ ୨୦୨


ତଥ୍ୟ:


www.chroniclesnow.com/about

 

 

Ellefson, Lindsey. March 2, 2020 www.thewrap.com/formor-esquire-editor-tyler-cabot-launches-startup-to-explain-news-using-fiction 

 ଗବେଷଣାକେନ୍ଦ୍ରୀକ ବିଜ୍ଞାନ ରଚ଼ନାକୁ ପ୍ରୋତ୍ସାହନ

ଭାରତରେ ଗବେଷଣାକେନ୍ଦ୍ରୀକ ବିଜ୍ଞାନ ରଚ଼ନା ଅବହେଳିତ । ଏକ ପକ୍ଷରେ ଦେଶର ସମ୍ୱାଦପତ୍ରଗୁଡ଼ିକରେ ବିଜ୍ଞାନ ସାମ୍ୱାଦିକତାକୁ ଗୁରୁତ୍ୱ ଦିଆଯାଉନଥିବାସ୍ଥଳେ ଅପରପକ୍ଷରେ ଗବେଷଣାରତ ବୈଜ୍ଞାନିକମାନେ ନିଜ ଗବେଷଣାକେନ୍ଦ୍ରୀକ ତଥ୍ୟାବଳୀ ସର୍ବସାଧାରଣରେ ପ୍ରକାଶନନିମନ୍ତେ ଉଦ୍ୟମ କରିନଥାନ୍ତି । ଫଳରେ ସ୍ଥାନୀୟ ବିଜ୍ଞାନକ୍ଷେତ୍ରରେ ଗବେଷଣାଗତ ଅଗ୍ରଗତି ସମାଜରେ ଚର୍ଚ୍ଚିତ ହେବାଲାଗି ସୁଯୋଗ ସୃଷ୍ଟି ହୋଇପାରେ ନାହିଁ ।


 

ଭାରତୀୟ ବୈଜ୍ଞାନିକମାନେ ଅନେକ କ୍ଷେତ୍ରରେ ଆନ୍ତର୍ଜାତିକସ୍ତରରେ ସ୍ୱୀକୃତି ପାଇଥାନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚ଼ାଳିତ ଅସଂଖ୍ୟ ପ୍ରତିଷ୍ଠାନ ସହ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବହୁ ଯୁବବିଜ୍ଞାନୀ ଗବେଷଣାରତ । ତେବେ ସ୍ଥାନୀୟ ବୈଜ୍ଞାନିକ ଗବେଷଣା ସଚ଼େତନତା ଅଭାବରୁ ସମାଜରେ ସ୍ୱକୀୟ ପରାକାଷ୍ଠା ପ୍ରତିଷ୍ଠା କରିବାରେ ବିଫଳ ହୋଇଥାଏ ।


 

କିନ୍ତୁ ବିଦେଶରେ ଆୟୋଜିତ ବିଭିନ୍ନ ଗବେଷଣା ଦେଶର ସମ୍ୱାଦପତ୍ରଗୁଡ଼ିକରେ ସାମୟିକଭାବେ ପ୍ରକାଶିତ ହେଉଥିବା ଦେଖିବାକୁ ମିଳେ। ରେଡ଼ିଓ ଓ ଟେଲିଭିଜନରେ ପ୍ରସାରିତ ବିଜ୍ଞାନ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ବୈଦେଶିକ ଗବେଷଣା ସଂପର୍କରେ ଅନୁପାତିକଭାବେ ଅଧିକା ତଥ୍ୟ ସଂଯୋଜିତ ହୋଇଥାଏ । ସେହିପରି ଇଣ୍ଟରନେଟ ମଞ୍ଚରେ ଭାରତୀୟ ବିଜ୍ଞାନ ଗବେଷଣାକେନ୍ଦ୍ରୀକ ରଚ଼ନା ଇଂଲିଶରେ ସୀମିତମାତ୍ରାରେ ଉପଲବ୍ଧ ଥିବା ସ୍ଥଳେ ଭାରତୀୟ ଭାଷାଗୁଡ଼ିକରେ ପ୍ରାୟତଃ ଅଦୃଶ୍ୟ ।


 

ଏଭଳି ସ୍ଥିତାବସ୍ଥାକୁ ଅନୁଶୀଳନ କଲେ ଗବେଷଣାକେନ୍ଦ୍ରୀକ ବିଜ୍ଞାନ ରଚ଼ନା ପ୍ରକାଶନଜନିତ କେତେଗୋଟି କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ ଭାରତରେ ବୈଜ୍ଞାନିକ ଗବେଷଣାଲବ୍ଧ ତଥ୍ୟାବଳୀ ସର୍ବସାଧାରଣରେ ପ୍ରକାଶନ ନିମନ୍ତେ ବିଧିବଦ୍ଧ ଉଦ୍ୟମ ଅଭାବ । ଗବେଷଣା କାର୍ଯ୍ୟକ୍ରମରେ ସଂଭ୍ରାନ୍ତ ଗବେଷଣା ପତ୍ରପତ୍ରିକାରେ ରଚ଼ନା ପ୍ରକାଶନକୁ ପ୍ରୋତ୍ସାହନ ଦିଆଯାଉଥିବାବେଳେ ସାଧାରଣ ଜନତାଙ୍କ ଟିକସ ପଇସାରେ ପ୍ରଯୋଜିତ ବୈଜ୍ଞାନିକ ଗବେଷଣା ସଂପର୍କରେ କିପରି ଦେଶର ନାଗରିକ ଜାଣିବେ କିମ୍ୱା ଏଭଳି ସବୁ ଗବେଷଣା କେତେଦୂର ସେମାନଙ୍କ ଦୈନନ୍ଦିନ ଜୀବନ ଓ ସାମାଜିକ ପରିବେଶକୁ ପ୍ରଭାବିତ କରିପାରେ ଚର୍ଚ୍ଚା କରିବେ ସେ ସଂପର୍କରେ ଗୁରୁତ୍ୱ ଦିଆଯାଇନଥାଏ ।


 

ଦ୍ୱିତୀୟରେ ଗବେଷଣାରେ ସଂପୃକ୍ତ ବୈଜ୍ଞାନିକମାନେ ଲୋକପ୍ରିୟ ବିଜ୍ଞାନ ରଚ଼ନାରେ ବାଧ୍ୟବାଧକତା କିମ୍ୱା ପ୍ରୋତ୍ସାହନ ଅଭାବରୁ ମନୋନିବେଶ କରୁନଥିବା ସ୍ଥଳେ ସାଧାରଣ ଲେଖକ ତଥା ସାମ୍ୱାଦିକମାନେ ପ୍ରକାଶଯୋଗ୍ୟ ଗବେଷଣା ତଥ୍ୟ ଖୋଜି ବାହାର କରିବା ତଥା ସେଗୁଡ଼ିକ ବୁଝି ରଚ଼ନା ପ୍ରସ୍ତୁତ କରିବା କଠିନ ଓ ସମୟ ସାପେକ୍ଷ। ଫଳରେ ବିଜ୍ଞାନ ଗବେଷଣାଗାରରେ ଆବିଷ୍କୃତ ତଥ୍ୟାବଳୀ ପ୍ରସାର ବୈଜ୍ଞାନିକ ସଂପ୍ରଦାୟରେ ହିଁ ଆବଦ୍ଧ ରହିଥାଏ ।


 

ତୃତୀୟରେ ବିଜ୍ଞାପନପୁଷ୍ଟ ଭାରତୀୟ ସମ୍ୱାଦପତ୍ର ଓ ପତ୍ରପତ୍ରିକା ଶିଳ୍ପ ପାଠକୀୟ ଆଗ୍ରହକୁ ପ୍ରାଧାନ୍ୟ ଦେଉଥିବା ହେତୁ ମନୋରଞ୍ଜନଧର୍ମୀ ସମ୍ୱାଦ ପ୍ରକାଶନ ତୁଳନାରେ ବିଜ୍ଞାନ ସାମ୍ୱାଦିକତାକୁ ଗୁରୁତ୍ୱ ଦେଇ ନଥାନ୍ତି । ହାତଗଣତି ସମ୍ୱାଦପତ୍ରରେ ନିୟମିତ ଭିତ୍ତିରେ ବିଜ୍ଞାନ ସ୍ତମ୍ଭ ବା ପୃଷ୍ଠା ସଂଯୋଜିତ ହୋଇଥାଏ ।ଅନେକ କ୍ଷେତ୍ରରେ ବିଜ୍ଞାନ ସାମ୍ୱାଦିକତା ନିମନ୍ତେ ଉଚ୍ଚ ଶିକ୍ଷିତ ତାଲିମପ୍ରାପ୍ତ ସାମ୍ୱାଦିକଙ୍କ ଚ଼ାହିଦା ପୂରଣ କରିବା ସଂଭବପର ହୋଇପାରି ନଥାଏ ।


 

ଚ଼ତୁର୍ଥରେ ଭାରତୀୟ ବିଜ୍ଞାନ ଗବେଷଣା ସଂପର୍କରେ ରଚ଼ନା ଅଭାବ ଅବସରରେ ବୈଦେଶିକ ବିଜ୍ଞାନ ଗବେଷଣା ସଂପର୍କରେ ପ୍ରକାଶନଯୋଗ୍ୟ ରଚ଼ନା ବିଭିନ୍ନ ସମ୍ୱାଦ ସରବରାହ ସଂସ୍ଥାଦ୍ୱାରା ସୁବିଧାରେ ମିଳିପାରୁଥିବା ହେତୁ ଆବଶ୍ୟକସ୍ଥଳେ ସଂବାଦପତ୍ର ଓ ପତ୍ରପତ୍ରିକା ସେଗୁଡ଼ିକର ଉପଯୋଗ କରିଥାନ୍ତି ।


 

ପଞ୍ଚମରେ ଭାରତୀୟ ଗବେଷଣାକେନ୍ଦ୍ରୀକ ବିଜ୍ଞାନ ରଚ଼ନା ଅଭାବ ତଥ୍ୟ ପ୍ରକାଶନ କାରଣରୁ ଆମେ ଯେ ବିଜ୍ଞାନ କ୍ଷେତ୍ରରେ ସମୃଦ୍ଧ ଏଭଳି ମନୋଭାବ ସର୍ବସାଧାରଣରେ ହୃଦବୋଧ ହୋଇପାରେ ନାହିଁ । ଏହା ଜାତୀୟ ସ୍ୱାଭିମାନ ପ୍ରତିଷ୍ଠାର ପରିପନ୍ଥୀ ।


 

ବିଜ୍ଞାନ ରଚ଼ନା ଓ ସାମ୍ୱାଦିକତାକ୍ଷେତ୍ରରେ ଦୀର୍ଘ ଅବହେଳା ପରେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ‘ଡ଼ିପାର୍ଟମେଣ୍ଟ ଅଫ ସାଇନ୍ସ ଏଣ୍ଡ ଟେକନୋଲଜି (ଡ଼ିଏସଟି)’ପକ୍ଷରୁ ଗବେଷଣାକେନ୍ଦ୍ରୀକ ବିଜ୍ଞାନ ରଚ଼ନାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ବିଧିବଦ୍ଧ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ଘୋଷିତ ହୋଇଛି । ଭାରତୀୟ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକରେ ଗବେଷଣାରତ ‘ଡ଼କ୍ଟର ଅଫ ଫିଲେସପିଂ (ପିଏଚ଼ଡ଼ି)’ ଓ ‘ପୋଷ୍ଟ ଡ଼କ୍ଟରାଲ ଫେଲୋ’ମାନଙ୍କୁ ନିଜ ଗବେଷଣା ସଂପର୍କରେ ଲୋକପ୍ରିୟ ରଚ଼ନା ପ୍ରସ୍ତୁତ କରିବାରେ ସଂପୃକ୍ତ କରାଇବା ନିମନ୍ତେ ‘ରାଇଟିଂ ସ୍କିଲସ ଫର ଆର୍ଟିକ୍ୟୁଲେଟିଂ ରିସର୍ଚ୍ଚ’ ନାମକ ଏକ ଯୋଜନା ପ୍ରଣୟନ କରାଯାଇଛି ।


 

ସରକାରୀ ବୃତ୍ତି ପାଇ ଗବେଷଣାରେ ନିୟୋଜିତ ବିଦ୍ୟାର୍ଥୀମାନଙ୍କୁ ବୃତ୍ତି ସମୟସୀମା ମଧ୍ୟରେ ନିଜର ଗବେଷଣା ସଂପର୍କରେ ଅନ୍ତତଃପକ୍ଷେ ଗୋଟିଏ ଲୋକପ୍ରିୟ ବିଜ୍ଞାନ ରଚ଼ନା ଲେଖିବା ନିମନ୍ତେ ଉତ୍ସାହିତ କରାଯିବ । ପ୍ରତିବର୍ଷ ପିଏଚ଼.ଡ଼ି.ସ୍ତରରେ ଏକ ଶହ ଏବଂ ପୋଷ୍ଟ-ଡ଼କ୍ଟରାଲ ସ୍ତରରେ କୋଡ଼ିଏ ଗୋଟି ଶ୍ରେଷ୍ଠ ବିବେଚ଼ିତ ଗବେଷକଙ୍କୁ ସେମାନଙ୍କ ଲୋକପ୍ରିୟ ରଚ଼ନା ଆଧାରରେ ରାଷ୍ଟ୍ରୀୟସ୍ତରରେ ପୁରସ୍କୃତ କରାଯିବ । ପିଏଚ଼.ଡ଼ି. ଗବେଷକମାନଙ୍କୁ ଏକ ଲକ୍ଷ ଟଙ୍କା ଓ ପୋଷ୍ଟ-ଡ଼କ୍ଟରାଲ ଫେଲୋମାନଙ୍କୁ ଦଶ ହଜାର ଟଙ୍କା ପୁରସ୍କାରରାଶି ସ୍ଥିରୀକୃତ ହୋଇଛି ।


 

ଲୋକପ୍ରିୟ ଗବେଷଣାକେନ୍ଦ୍ରୀକ ବିଜ୍ଞାନ ରଚ଼ନାଗୁଡ଼ିକ ୧,୦୦୦ ରୁ ୧,୫୦୦ ଶବ୍ଦ ମଧ୍ୟରେ ସୀମିତ ରଖି ଗବେଷକମାନେ ସ୍ଥାନୀୟ ସମ୍ୱାଦପତ୍ରରେ ପ୍ରକାଶନ କିମ୍ୱା ଡ଼ିଏସଟିଠାରେ ଦଖଲ କରିପାରିବେ । ୨୦୧୯ ଫେବୃୟାରୀ ୨୮ ତାରିଖ ଦିନ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆନୁଯାୟୀ ପ୍ରଥମ ଦଳ ବୈଜ୍ଞାନିକମାନଙ୍କୁ ପୁରସ୍କୃତ କରାଯିବ । ଏଭଳି ଉଦ୍ୟମରେ ପ୍ରତିବର୍ଷ ଅନ୍ତତଃପକ୍ଷେ ପିଏଚ଼.ଡ଼ି. ଗବେଷକଙ୍କ ଦ୍ୱାରା ପାଞ୍ଚ ହଜାର ଓ ପୋଷ୍ଟ-ଡ଼କ୍ଟରାଲ ଫେଲୋଙ୍କ ଦ୍ୱାରା ଏକ ହଜାର ରଚ଼ନା ପ୍ରସ୍ତୁତି ଆଶା କରାଯାଉଛି । ଏହି ଯୋଜନା କେବଳ ବିଜ୍ଞାନ ବିଷୟରେ ସୀମାବଦ୍ଧ ଥିବାବେଳେ ବିଜ୍ଞାନୀମାନେ କେବଳ ନିଜ ଗବେଷଣା ସଂପର୍କରେ ରଚ଼ନା ପ୍ରତି ଗୁରୁତ୍ୱାରୋପ କରାଯାଉଛି ।


 

ଲୋକପ୍ରିୟ ରଚ଼ନାର ପ୍ରକାଶନ ଯୋଗ୍ୟତା ମୁଖ୍ୟ ଆଧାର । ପ୍ରତ୍ୟେକ ବିଷୟକୁ ବୋଧଗମ୍ୟ ଭାବେ ସରଳରେ ଉପସ୍ଥାପିତ କରିବା, ପାଠକ କିମ୍ୱା ଦର୍ଶକଙ୍କୁ ବିଷୟବସ୍ତୁପ୍ରତି ଆଗ୍ରାହାନ୍ୱିତ କରାଇବା ତଥା ସାବଲୀଳଭାବେ ବର୍ଣ୍ଣନା କରିବା ଦ୍ୱାରା ପ୍ରକାଶନ ଯୋଗ୍ୟତା ହାସଲ ହୋଇଥାଏ । ଯେକୌଣସି ଜଟିଳ ବୈଜ୍ଞାନିକ ତଥ୍ୟ ଆଧାରରେ ଲୋକପ୍ରିୟ ରଚନା ପ୍ରସ୍ତୁତ ସମ୍ଭବପର । ଅବଶ୍ୟ ଏଥି ନିମନ୍ତେ ବିଷୟ ସଂପର୍କରେ ଗଭୀର ପରିଚ଼ିତି ପ୍ରାଥମିକ ଆବଶ୍ୟକତା । ଏହି ଦୃଷ୍ଟିରୁ ଗବେଷକମାନେ ନିଜ ଗବେଷଣା ସଂପର୍କରେ ଲୋକପ୍ରିୟ ରଚନା ପ୍ରସ୍ତୁତ କରିବା ନିମନ୍ତେ ବାଧ୍ୟବାଧକତା ତଥା ପ୍ରୋତ୍ସାହିତ କରାଯିବା ବେଶ ଫଳପ୍ରଦ ମନେହୁଏ । ଭାରତୀୟ ବୈଜ୍ଞାନିକ ଗବେଷଣାରତ ଅଗ୍ରଗତିକୁ ସର୍ବସାଧାରଣରେ ପରିଚ଼ିତି କରାଇବାରେ ଏଭଳି ଯୋଜନାମାନ ଯେ ନୂତନ ଅଧ୍ୟାୟ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ।     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଜୁଲାଇ ୨୦୧୮


ତଥ୍ୟ:



Prasad, R. Novel initiative to encourage science communication.The Hindu (Cuttack Edition). June 3, 2018