ବିଜ୍ଞାପନ

ବିଜ୍ଞାପନ ବ୍ୟବସାୟରେ ଅଭିବୃଦ୍ଧି ପୁର୍ବାନୁମାନ

ଭାରତୀୟ ବିଜ୍ଞାପନ ବ୍ୟବସାୟରେ ଅଭିବୃଦ୍ଧି ହାର ୨୦୧୮ରେ ୧୫ ପ୍ରତିଶତ ହିସାବ କରାଯାଇଥିବା ସ୍ଥଳେ ୨୦୧୯ରେ ତାହା ୧୪ ପ୍ରତିଶତ ରହିବ ବୋଲି ଅଗ୍ରଣୀ ବିଜ୍ଞାପନ ଏଜେନ୍ସି‘ଗୃପ-ଏମ’ ପକ୍ଷରୁ ପୁର୍ବାନୁମାନ କରାଯାଇଛି । ଅନ୍ୟତମ ବିଜ୍ଞାପନ ଏଜେନ୍ସି‘ମାଡ଼ିସନ’ ଅଭିବୃଦ୍ଧି ୧୬.୪ ପ୍ରତିଶତରେ ପହଞ୍ଚିବା ଆଶା କରୁଥିବା ସ୍ଥଳେ ‘ଜେନିଥ’ ଓ ‘ମାଗ୍ନାଗ୍ଳୋବାଲ’ ପକ୍ଷରୁ ଅଭିବୃଦ୍ଧି ହାର ୧୫ ପ୍ରତିଶତ ଆକଳନ କରାଯାଉଛି । ‘ଗୃପ-ଏମ’ ପ୍ରକାଶିତ ‘ଦିସଇଅରନେକ୍ସଟଇଅର ରିପୋର୍ଟ’ରେ କୁହାଯାଇଛି ଯେ ଦେଶର ବିଜ୍ଞାପନ ବ୍ୟବସାୟ ସ୍ୱାଭାବିକ ଧାରା ‘ଅର୍ଗାନିକ’ ୧୧ ପ୍ରତିଶତ ରହିବା ବେଳେ ୩ ପ୍ରତିଶତ ସାଧାରଣ ନିର୍ବାଚ଼ନ ଓ ବିଶ୍ୱକପ କ୍ରିକେଟ ସୁତ୍ରରୁଅତିରିକ୍ତ ବିଜ୍ଞାପନ ବ୍ୟୟ ସାମିଲ ହେବ ।


 

ଆନ୍ତର୍ଜାତିକ ବିଜ୍ଞାପନ ବ୍ୟବସାୟରେ ଅଭିବୃଦ୍ଧି କମ ରହିଥିବା ସ୍ଥଳେ ଭାରତରେ ଗତ କିଛି ବର୍ଷ ଧରି ଅଭିବୃଦ୍ଧି ହାର ବଢ଼ି ଚାଲିଛି ଏବଂ ଆଗାମୀ କିଛି ବର୍ଷ ଧରି ଏହି ଧାରା ବଳବତ୍ତର ରହିବ ବୋଲି ଆଶା କରାଯାଉଛି । ଆନ୍ତର୍ଜାତିକସ୍ତରରେ ଅଭିବୃଦ୍ଧି ହାର ୩.୬ ପ୍ରତିଶତରେ ସୀମିତ ରହିଛି ।


 

ବିଜ୍ଞାପନ ବ୍ୟୟ ବର୍ଗୀକରଣରେ ବିଶ୍ୱରେ ଭାରତ ୧୦ମ ସ୍ଥାନ ଅଧିକାର କରିଥାଏ । ମୋଟ ବାର୍ଷିକ ବିଜ୍ଞାପନ ବ୍ୟୟ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା, ଚ଼ୀନ ଓ ଜାପାନ ପ୍ରଥମ ତିନିଗୋଟି ସ୍ଥାନ ଅଧିକାର କରିଥାନ୍ତି । ଅପରପକ୍ଷେ ପୂର୍ବ ତୁଳନାରେ ଚଳିତ ବର୍ଷ ବିଜ୍ଞାପନ ବ୍ୟୟ ହିସାବକୁ ନେଲେ ଯୁକ୍ତରାଷ୍ଟ୍ର ଆମେରିକା ଓ ଚ଼ୀନ ପରକୁ ଭାରତର ସ୍ଥାନ ତୃତୀୟ । ଜାପାନ ଓ ଇଂଲ୍ୟାଣ୍ଡ ମଧ୍ୟ ପ୍ରାୟତଃ ସମସ୍ଥାନ ଅଧିକାର କରୁଥିବା ଜଣାଯାଏ ।


 

ଭାରତରେ ବିଜ୍ଞାପନ ବ୍ୟବସାୟ ଆନ୍ତର୍ଜାତିକ ପ୍ରବାହରେ ବ୍ୟତିକ୍ରମ ସୂଚ଼ିତ କରିଥାଏ । ପାଶ୍ଚାତ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକରେ ଡ଼ିଜିଟାଲ ମଞ୍ଚରେ ବିଜ୍ଞାପନ ବ୍ୟୟ କେନ୍ଦ୍ରୀଭୂତ ହୋଇ ମୁଦ୍ରଣ ଓ ଟେଲିଭିଜନ ମଞ୍ଚରୁ ଅପସରି ଯାଉଥିବା ସ୍ଥଳେ ଭାରତରେ ଡ଼ିଜିଟାଲ ସହ ମୁଦ୍ରଣ, ଟେଲିଭିଜନ, ରେଡ଼ିଓ, ସିନେମା ତଥା ବାହ୍ୟଦୃଶ୍ୟ‘ଆଉଟଡ଼ୋର’ ମଞ୍ଚରେ ଭିନ୍ନ ଭିନ୍ନ ମାତ୍ରାରେ ଅଭିବୃଦ୍ଧି ଜାରୀ ରହିଛି । ‘ଗୃପ-ଏମ’ର ରିପୋର୍ଟ ଅନୁଯାୟୀ ଡ଼ିଜିଟାଲ ମଞ୍ଚରେ ୨୦୧୯ ପାଇଁ ସର୍ବାଧିକ ୩୦ ପ୍ରତିଶତ ଅଭିବୃଦ୍ଧି ଆକଳନ କରାଯାଉଥିବା ସ୍ଥଳେ ମୁଦ୍ରଣରେ ୨୦୧୮ରେ ଏକ ପ୍ରତିଶତରୁ ୨୦୧୯ରେ ଦୁଇ ପ୍ରତିଶତ, ରେଡ଼ିଓରେ ୧୨ ରୁ ୧୫ ପ୍ରତିଶତ, ସିନେମାରେ ୨୦ ରୁ ୨୫ ପ୍ରତିଶତ ତଥା ବାହ୍ୟଦୃଶ୍ୟ ମଞ୍ଚରେ ୯ ରୁ ୧୦ ପ୍ରତିଶତ ପୂର୍ବବର୍ଷ ତୁଳନାରେ ଅଭିବୃଦ୍ଧି ଆଶା କରାଯାଉଛି । କିନ୍ତୁ ଟେଲିଭିଜନ କ୍ଷେତ୍ରରେ ଅଭିବୃଦ୍ଧି ହାର ୨୦ ପ୍ରତିଶତରୁ ୧୫ ପ୍ରତିଶତକୁ କମିଯିବ ।


 

ସେହିପରି ଦେଶରେ ମୋଟ ବିଜ୍ଞାପନ ବ୍ୟୟ ମୁଦ୍ରଣରେ ୧୭,୯୭୦ କୋଟିରୁ ୧୮,୩୬୮ କୋଟି, ଟେଲିଭିଜନରେ ୩୩,୫୭୭ କୋଟିରୁ ୩୮,୬୧୨ କୋଟି ଓ ଡ଼ିଜିଟାଲ ମଞ୍ଚରେ ୧୨,୩୩୭ କୋଟିରୁ ୧୬,୦୩୮ କୋଟି ଟଙ୍କାକୁ ୨୦୧୮ ତୁଳନାରେ ୨୦୧୯ରେ ବୃଦ୍ଧି ପାଇବ । ସାମଗ୍ରିକଭାବେ୭୦,୬୦୨ କୋଟି ତୁଳନାରେ ୮୦,୬୭୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଉଛି ।


 

ଭାରତୀୟ ବିଜ୍ଞାପନ ବ୍ୟବସାୟରେ ୨୦୧୯ରେ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ‘ଏଫଏମସିଜି’, ଖୁଚୁରା ବ୍ୟବସାୟ ‘ରିଟେଲ’, ମୋଟର ଯାନ, ଟେଲିସେବା ଓ ଇ-କମର୍ସ ସଂପର୍କୀତ ବିଜ୍ଞାପନ ଦୁଇ ତୃତୀୟାଂଶ ବ୍ୟୟ ଦାବୀ କରିବ ବୋଲି କୁହାଯାଉଛି । ସାଧାରଣ ନିର୍ବାଚ଼ନ ଆୟୋଜନ ଦୃଷ୍ଟିରୁ ରାଜନୀତିକ ବିଜ୍ଞାପନ ୨୦୧୯ରେ ପ୍ରାଧାନ୍ୟ ରହିବା ସ୍ୱାଭାବିକ । ୨୦୧୪ ସାଧାରଣ ନିର୍ବାଚ଼ନ ତୁଳନାରେ ୨୦୧୯ରେ ୫ ରୁ ୧୦ ପ୍ରତିଶତ ବିଜ୍ଞାପନ ବ୍ୟୟ ବୃଦ୍ଧି ପାଇବା ଆଶା କରାଯାଉଛି ।


 

ଦେଶର ଗଣମାଧ୍ୟମର ବିଭିନ୍ନ ମଞ୍ଚରେ ୨୦୧୮ ତୁଳନାରେ ୨୦୧୯ରେ ବିଜ୍ଞାପନ ବ୍ୟୟରେ ଅଭିବୃଦ୍ଧି କଳନା କରାଯାଉଥିଲେ ହେଁ ଟେଲିଭିଜନ କ୍ଷେତ୍ରରେ ପାଞ୍ଚ ପ୍ରତିଶତ ହ୍ରାସ ଗୁରୁତ୍ୱପୂର୍ଣ୍ଣ । ଇଣ୍ଟରନେଟ ପ୍ରସାର ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ତଥା ମୋବାଇଲ ପରଦାରେ ଉପଭୋକ୍ତାଙ୍କ ଦୀର୍ଘ ସମୟ ଉପସ୍ଥିତି ସାଙ୍ଗକୁ ଷ୍ଟ୍ରୀମିଂ ବ୍ୟବସାୟର ଲୋକପ୍ରିୟତା ବିଜ୍ଞାପନ ବ୍ୟୟକୁ ଡ଼ିଜିଟାଲ ମଞ୍ଚ ଆଡ଼କୁ ଟାଣି ନେଉଥିବା ସୁସ୍ୱଷ୍ଟ । ଟେଲିଭିଜନ ବିଜ୍ଞାପନ ବାବଦରେ ୨୦୧୮ ତୁଳନାରେ ୨୦୧୯ରେ ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କା ଅଧିକ ବିଜ୍ଞାପନ ରାଜସ୍ୱ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ହେଁ ପରିବର୍ତ୍ତିତ ପରିବେଶରେଟେଲିଭିଜନ ଅଧିକ ମାତ୍ରାରେ ଡ଼ିଜିଟାଲ ମଞ୍ଚ ଆଶ୍ରିତ ହୋଇପଡ଼ିବା ଆଶା କରାଯାଇପାରେ ।


 

ସେହିପରି ମୁଦ୍ରଣ ଶିଳ୍ପରେ ପୂର୍ବବର୍ଷ ତୁଳନାରେ ୨୦୧୯ରେ ମାତ୍ର ଏକ ପ୍ରତିଶତ ଅଭିବୃଦ୍ଧି ତଥା ମାତ୍ର ଚ଼ାରିଶହ କୋଟି ଟଙ୍କା ବ୍ୟୟବୃଦ୍ଧି ମୁଦ୍ରଣ ଶିଳ୍ପର ଭବିଷ୍ୟତ ପ୍ରତି ସତର୍କଘଣ୍ଟି ଶୁଣାଇଲାଣି ବୋଲି କୁହାଯାଇପାରେ । ନିର୍ବାଚ଼ନ ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକବିଜ୍ଞାପନ ପ୍ରସାରଣ ବନ୍ଦ ହୋଇଗଲେ ୨୦୨୦ରେ ସମ୍ୱାଦପତ୍ର ଶିଳ୍ପର ଅବସ୍ଥା ବିଗିଡ଼ି ଯାଇପାରେ । ଏହିଭଳି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ସମ୍ୱାଦପତ୍ର ଓ ପତ୍ରପତ୍ରିକାଗୁଡ଼ିକବିଜ୍ଞାପନ ଆଶ୍ରିତ ମଡ଼େଲରୁ ଅପସରିଯାଇ ଗ୍ରାହକଚ଼ାନ୍ଦା ପରିପୁଷ୍ଟ ମଡ଼େଲ ଗ୍ରହଣ କରିନେବା ଏକ ଉପାୟ ।


 

ଜାତୀୟସ୍ତରରଇଂଲିଶସମ୍ୱାଦପତ୍ର‘ଦି ହିନ୍ଦୁ’ ୨୦୧୭-୧୮ରେ ଗ୍ରାହକ ଚ଼ାନ୍ଦା କ୍ରମାଗତ ବୃଦ୍ଧି ସତ୍ତ୍ୱେପ୍ରସାର ସଂଖ୍ୟାବୃଦ୍ଧି ଏଭଳି ଉପପାଦ୍ୟର ଉଦାହରଣ । ‘ଦି ହିନ୍ଦୁ’ ଦ୍ୱାରା ଉଦ୍ଧୃତ ‘ଅଡ଼ିଟବ୍ୟୁରୋ ଅଫ ସର୍କୁଲେସନ’ ତଥ୍ୟ ଅନୁଯାୟୀ ଜାନୁୟାରୀ-ଜୁନ ୨୦୧୭ ତୁଳନାରେ ଜାନୁୟାରୀ-ଜୁନ ୨୦୧୮ରେ ସଂପୃକ୍ତ ସମ୍ୱାଦପତ୍ରର ପ୍ରସାର କୋଡ଼ିଏ ପ୍ରତିଶତ ବଢ଼ିଥିଲା । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଆଲୋଚ଼୍ୟ ସମୟସୀମାରେ ‘ଦି ହିନ୍ଦୁ’ର ଗ୍ରାହକ ଚ଼ାନ୍ଦାବୃଦ୍ଧି ପାଇଥିଲା । ସମ୍ୱାଦପତ୍ରଟିରକଟକ ସଂସ୍କରଣ ୨୦୧୮ରେ ଖଣ୍ଡପିଚ୍ଛା ୧୦ ଟଙ୍କା ଏବଂ ରବିବାସରୀୟ ସଂସ୍କରଣ ୧୫ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଅବଶ୍ୟ ଫେବୃୟାରୀ ୨୦୧୭ରେ ସମ୍ୱାଦପତ୍ରଟିରସଂପାଦକୀୟ ନୀତି ପୁର୍ନବିନ୍ୟାସ କରାଯାଇ ଅଧିକ ପଠନ ସାମଗ୍ରୀ, ସମ୍ୱାଦ ରଚ଼ନା ପରିପାଟୀରେ ପରିବର୍ତ୍ତନ ଓ ବିକଶିତ ପ୍ରବାହ ‘ଏମେରଜିଂ ଟ୍ରେଣ୍ଡ’ ସଂପର୍କୀତ ପ୍ରକାଶନକୁ ଗୁରୁତ୍ୱ ଦିଆଯାଇଥିଲା ।


 

‘ଦି ହିନ୍ଦୁ’ସମ୍ୱାଦପତ୍ରର ଦକ୍ଷିଣ ଭାରତରେ ପାରମ୍ପରିକ ଲୋକପ୍ରିୟତା, ଶିକ୍ଷିତ ପାଠକ ଗୋଷ୍ଠୀ ଏବଂ ସମ୍ପାଦକୀୟ ଶୈଳୀରେ ଉନ୍ନତି ସବୁ ଅଞ୍ଚଳରେ ସମସ୍ତ ଶ୍ରେଣୀର ସମ୍ୱାଦପତ୍ର ଲାଗି ପ୍ରଯୁଜ୍ୟ ନ ହେଲେ ହେଁ ସମ୍ପାଦକୀୟ ଶୈଳୀରେ ଗୁଣାତ୍ମକ ବିକାଶ ଯେ ସମ୍ୱାଦପତ୍ରର ଲୋକପ୍ରିୟତା ଲାଗି ଏକ ବିଶେଷ ଉପାଦାନ ଏଥିରେ କେହି ଅମଙ୍ଗ ହେବେ ନାହିଁ । ସମ୍ୱାଦ ରଚ଼ନା ଓ ପୃଷ୍ଠା ସଂଯୋଜନାରେ ନୂତନ କଳାକୌଶଳ ଉପଯୋଗ ନିମନ୍ତେ ସମ୍ୱାଦପତ୍ରପ୍ରକାଶକମାନେ ସୃଜନ ଓ ତାଲିମକୁ ଗୁରୁତ୍ୱଦେବା ସମୟ ଉପନୀତ ।


 

ପାଠକ, ଶ୍ରୋତା ଓ ଦର୍ଶକଙ୍କ ଗଣମାଧ୍ୟମ ଉପଯୋଗର ଗତିବିଧିକୁ ଲକ୍ଷ୍ୟ ରଖି ବିଭିନ୍ନ ମଞ୍ଚରେ ବିଜ୍ଞାପନ ପ୍ରସାରଣରେ ତାରତମ୍ୟ ଲାଗି ରହିଥିଲେ ହେଁ ଭାରତୀୟ ବିଜ୍ଞାପନ ବ୍ୟବସାୟ ଅଭିବୃଦ୍ଧି ପୁର୍ବାନୁମାନ ପ୍ରକାଶନ ଶିଳ୍ପପ୍ରତି ଆଶୀର୍ବାଦ । ଦେଶରେ ବାର୍ଷିକ ବିଜ୍ଞାପନ ବ୍ୟୟ ୨୦୦୯ରେ ୨୦,୦୦୦ କୋଟି ଟଙ୍କା ଥିବାବେଳେ ଦଶ ବର୍ଷପରେ ୨୦୧୯ରେ ତାହା ୭୦,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ହିସାବରେ ଆଗାମୀ ପାଞ୍ଚ ବର୍ଷ ଅର୍ଥାତ ୨୦୨୪ ବେଳକୁ ଭାରତୀୟ ବିଜ୍ଞାପନ ବ୍ୟୟ ୧,୨୦,୦୦୦ କୋଟି ଟଙ୍କାରେ ପହଞ୍ଚିଯାଇପାରେ । ଅର୍ଥାତ ବିଜ୍ଞାପନ ବ୍ୟୟ ବଳବତ୍ତର ରହିବ ଓ ବଢ଼ିବ, କିନ୍ତୁ ତାହା କାହା ହାତକୁ ଯିବ ତାହା ସମୟ କହିବ । ଉପଭୋକ୍ତାଙ୍କ ଆବଶ୍ୟକତାକୁ ପୁଞ୍ଜିକରି ଯେଉଁ ପ୍ରକାଶକମାନେ ପାରମ୍ପରିକ ଧାରା ପରିବର୍ତ୍ତନରେ ଯତ୍ନଶୀଳ ହୋଇପାରିବେ ସେମାନଙ୍କ ବ୍ୟବସାୟ ବଞ୍ଚି ରହିବ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୧୯


ତଥ୍ୟ:



Pinto, ViveatSusan. With rapid growth, Indian ad sector eyes ₹ 1- trn mark. Business Standard (Bhubaneswar Edition), February 15, 2019.


 

Sports, Polls to drive ad spend :Report. Business Standard (Bhubaneswar Edition). February 13, 2019.


 

Numbers don’t lie. The Hindu (Cuttack Edition). November 11, 2018.

ନିର୍ବାଚ଼ନୀ ବର୍ଷରେ ବିଜ୍ଞାପନ ବ୍ୟୟ ବୃଦ୍ଧି ଆକଳନ

ଆନ୍ତର୍ଜାତିକସ୍ତରରେ ଭାରତ ବିଜ୍ଞାପନ ବ୍ୟୟରେ ତୃତୀୟ ବୃହତ ଶକ୍ତି ରୂପେ ପରିଗଣିତ ହେବାରେ ଲାଗିଛି । ବିଜ୍ଞାପନ ବ୍ୟୟରେ ଚ଼ୀନ ପ୍ରଥମ ସ୍ଥାନ ଓ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିତୀୟ ସ୍ଥାନ ଅଧିକାର କରୁଥିବା ସ୍ଥଳେ ଭାରତ ପରକୁ ଜାପାନ, ବ୍ରିଟେନ, ଫିଲିପାଇନ୍ସ, କାନାଡ଼ା, ଅଷ୍ଟ୍ରେଲିଆ, ବ୍ରାଜିଲ ଓ ଋଷର ସ୍ଥାନ । ଅବଶ୍ୟ ଭାରତର ବିଜ୍ଞାପନ ବ୍ୟୟ ପରିମାଣ ଚ଼ୀନ ବା ଆମେରିକାର ବିଜ୍ଞାପନ ବ୍ୟୟର ପ୍ରାୟ ଏକ ଚ଼ତୁର୍ଥାଂଶ ।


 

ରାଷ୍ଟ୍ରୀୟସ୍ତରରେ ଗଣମାଧ୍ୟମର ବିଭିନ୍ନ ମଞ୍ଚରେ ସମଗ୍ର ବାର୍ଷିକ ବିଜ୍ଞାପନ ବ୍ୟୟକୁ ଏଡ଼ଭାଟାଇଜିଂ ଏକ୍ସପେଣ୍ଡିଚ଼ର ‘ଏଡ଼ଏକ୍ସ’ କୁହାଯାଏ । ଭାରତର ଦୁଇ ପ୍ରମୁଖ ବିଜ୍ଞାପନ ବ୍ୟାବସାୟିକ ସଂଗଠନ ‘ଗୃପ-ଏମ’ ଓ ‘ଜେନିଥ’ ଦେଶର ବାର୍ଷିକ ବିଜ୍ଞାପନ ବ୍ୟୟ ସଂପର୍କରେ ନିଜସ୍ୱ ହିସାବ ଉପସ୍ଥାପନ କରିଥାନ୍ତି । ଗୃପ-ଏମ ପକ୍ଷରୁ ଭାରତରେ ୨୦୧୮ର ବିଜ୍ଞାପନ ବ୍ୟୟ ରାଶି ୬୯,୩୦୦ କୋଟି ହିସାବ କରାଯାଉଥିବା ସ୍ଥଳେ ଜେନିଥ ପକ୍ଷରୁ ୬୨,୬୦୦ କୋଟି ହିସାବ କରାଯାଉଛି ।


 

ଗୃପ-ଏମର ହିସାବରେ ୨୦୧୮ କ୍ୟାଲେଣ୍ଡର ବର୍ଷରେ ସମ୍ୱାଦପତ୍ରରେ ୨୨,୩୦୦ କୋଟି, ପତ୍ରିକାରେ ୯୦୦ କୋଟି, ଟେଲିଭିଜନରେ ୨୪,୧୦୦ କୋଟି, ରେଡ଼ିଓରେ ୨,୬୦୦ କୋଟି, ସିନେମାରେ ୪୦୦ କୋଟି ବାହ୍ୟ ବିଜ୍ଞାପନରେ ୨,୫୦୦ କୋଟି ଏବଂ ଇଣ୍ଟରନେଟରେ ୯,୭୦୦ କୋଟି ବ୍ୟୟ ଗଣତି କରାଯାଇଛି । ଦେଶରେ ଟେଲିଭିଜନରେ ସର୍ବାଧିକ ଓ ସିନେମାରେ ସର୍ବନିମ୍ନ ବିଜ୍ଞାପନ ବ୍ୟୟ ହୋଇଥାଏ ।


 

ଗୃପ-ଏମ ଓ ଜେନିଥ ଉଭୟେ ଭାରତରେ ୨୦୧୯ରେ ବିଜ୍ଞାପନ ବ୍ୟୟ ୧୪ ରୁ ୧୫ ପ୍ରତିଶତ ବଢ଼ିବା ଆଶା ପ୍ରକାଶ କରୁଛନ୍ତି । ୨୦୧୮ ଶେଷରେ ଗୃପ-ଏମ ପକ୍ଷରୁ ପ୍ରକାଶିତ ପୁର୍ବାନୁମାନରେ କୁହାଯାଇଛି ଯେ ୨୦୧୯ରେ ଦେଶର ବିଜ୍ଞାପନ ବ୍ୟୟ ପ୍ରାୟ ୮୦ ହଜାର କୋଟିକୁ ବୃଦ୍ଧି ପାଇାବା ସମ୍ଭବପର । ୨୦୧୯ ମାର୍ଚ୍ଚ-ଏପ୍ରିଲ ମାସରେ ପ୍ରସ୍ତାବିତ ସାଧାରଣ ନିର୍ବାଚ଼ନ ଅବସରରେ ରାଜନୀତିକ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ବିପୁଳ ଅର୍ଥ ବିଜ୍ଞାପନରେ ବ୍ୟୟ କରାଯିବା ଅଟକଳ କରାଯାଉଥିବା ହେତୁ ଅନ୍ୟାନ୍ୟ ବର୍ଷଗୁଡ଼ିକ ତୁଳନାରେ ଅଧିକ ହେବା ସ୍ୱାଭାବିକ । ବିଗତ କିଛି ବର୍ଷ ଧରି ଏଠାରେ ବାର୍ଷିକ ବିଜ୍ଞାପନ ବ୍ୟୟ ୧୨ ରୁ ୧୩ ପ୍ରତିଶତ ବୃଦ୍ଧି ପାଇ ଚ଼ାଲିଥିବା ହିସାବ କରାଯାଇଥାଏ ।


 

ଗତ ୨୦୧୪ ସାଧାରଣ ନିର୍ବାଚ଼ନରେ ୧ ହଜାର ୫ ଶହ କୋଟି ଟଙ୍କା ବିଜ୍ଞାପନ ବାବଦରେ ବ୍ୟୟ ହୋଇଥିବା ସ୍ଥଳେ ଏହା ଦୁଇଗୁଣକୁ ବୃଦ୍ଧିପାଇ ୨୦୧୯ ସାଧାରଣ ନିର୍ବାଚ଼ନରେ ୩ ହଜାର କୋଟିରେ ପହଞ୍ଚିବ। ନିର୍ବାଚ଼ନ ଅବସରରେ ବିଭିନ୍ନ ପାରମ୍ପରିକ ମୁଦ୍ରଣ, ଟେଲିଭିଜନ ଓ ଆଉଟଡ଼ୋର ମଞ୍ଚ ବ୍ୟବହାର ବଳବତ୍ତର ରହିବା ସହ ଇଣ୍ଟରନେଟ ସୋସିଆଲ ମିଡ଼ିଆ ମଞ୍ଚରେ ଅଧିକ ବିଜ୍ଞାପନ ବ୍ୟୟ ଆଶା କରାଯାଉଛି । ଏହା ସମଗ୍ର ନିର୍ବାଚ଼ନୀ ବିଜ୍ଞାପନ ବ୍ୟୟର ଏକ ଚ଼ତୁର୍ଥାଂଶ ଅର୍ଥାତ ୮୦୦ କୋଟି ଟଙ୍କା ଦାବୀ କରିବ ବୋଲି କୁହାଯାଉଛି ।ବିଗତ ନିର୍ବାଚ଼ନ ପ୍ରଚ଼ାରଗୁଡ଼ିକ ତୁଳନାରେ ଏହା ଏକ ବ୍ୟତିକ୍ରମ ।


 

କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ବିଜ୍ଞାପନ ନୀତି ଏକ ପକ୍ଷରେ ବାର୍ଷିକ ବିଜ୍ଞାପନ ବ୍ୟୟରେ ସହାୟକ ହୋଇଚ଼ାଲିଥିବା ସ୍ଥଳେ କେନ୍ଦ୍ର ଅନୁକରଣରେ ରାଜ୍ୟ ସରକାରମାନେ ମଧ୍ୟ କୋହଳ ବିଜ୍ଞାପନ ନୀତି ଗ୍ରହଣ କରୁଥିବା ହେତୁ ବିଜ୍ଞାପନ ଆୟ ଜାତୀୟସ୍ତରରେ ୧୨ ରୁ ୧୩ ପ୍ରତିଶତ ବାର୍ଷିକ ଅଭିବୃଦ୍ଧିରେ ପର୍ଯ୍ୟବସିତ ହୋଇଛି ।


 

କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବିଜ୍ଞାପନ ଦାୟିତ୍ୱ ‘ବ୍ୟୁରୋ ଅଫ ଆଉଟରିଚ ଏଣ୍ଡ କମ୍ୟୁନିକେସନ’ ନାମକ ସସ୍ଥା ନିର୍ବାହ କରିଥାଏ । ସୂଚ଼ନା ଅଧିକାର ସୂତ୍ରରେ ବ୍ୟୁରୋ ସୂତ୍ରରୁ ସଂଗୃହୀତ ତଥ୍ୟରୁ ଜଣାଯାଏ ଯେ କେନ୍ଦ୍ରରେ ପଦାସୀନ ୟୁପିଏ ଦୁଇ ପର୍ଯ୍ୟାୟରେ ଦଶ ବର୍ଷ ଶାସନ କାଳରେ ସରକାରୀ ବିଜ୍ଞାପନ ବାବଦରେ ବାର୍ଷିକ ହାରାହାରି ୫୦୪ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ପରବର୍ତ୍ତୀ ଅବସ୍ଥାରେ ଏନଡ଼ିଏ ସରକାର ୨୦୧୪ ମଧ୍ୟଭାଗରୁ ୨୦୧୮ ମଧ୍ୟଭାଗ ମଧ୍ୟରେ ବାର୍ଷିକ ହାରାହାରି ପ୍ରାୟ ୧,୨୦୨ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅର୍ଥାତ ପାଞ୍ଚ ବର୍ଷ ତଳର ହିସାବକୁ ନେଲେ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ଖର୍ଚ୍ଚ ଦୁଇଗୁଣକୁ ବୃଦ୍ଧି ପାଇଛି ।


 

ସରକାରୀ ବିଜ୍ଞାପନ ପ୍ରକାଶନଗୁଡ଼ିକର ରାଜସ୍ୱ ଆୟ ବୃଦ୍ଧିରେ ସାମିଲ ହୋଇଥାଏ । ତେବେ ପ୍ରକାଶନର ଉତ୍ପାଦ ପ୍ରଯୋଜନା ଖର୍ଚ୍ଚ ସହ ପ୍ରାୟ ସମତୁଲ ରହିଥାଏ ।ସରକାରୀ ବିଜ୍ଞାପନର ଦର କମ ହେତୁ ଏଭଳି ରାଜସ୍ୱରୁ ପ୍ରକାଶନ ମୁନାଫା ପାଏନା । ପରନ୍ତୁ ଖର୍ଚ୍ଚକାଟ କାରଣରୁ ସାମ୍ୱାଦିକତା ତଥା ସୃଜନକ୍ଷେତ୍ରରେ ଗୁଣବତ୍ତାହାନୀର କାରଣ ପାଲଟିଥାଏ । ତେଣୁ ସରକାରୀ ବିଜ୍ଞାପନ ଦର ପ୍ରକାଶକଙ୍କ ବ୍ୟବସାୟ କିମ୍ୱା ଉତ୍ପାଦ ବିକାଶରେ ସହାୟକ ହୋଇପାରି ନଥାଏ । ଗଣମାଧ୍ୟମରେ ଢୋକେ ପିଇ ଦଣ୍ଡେ ବଞ୍ଚିବା ନୀତିରେ ଉତ୍କର୍ଷତା ଅସଂଭବ । ତେଣୁ ନିର୍ବାଚ଼ନ ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି ଅପରିବର୍ତ୍ତିତ ରହିଲେ ମଧ୍ୟ ଉପକୃତ ପ୍ରକାଶନଗୁଡ଼ିକର ବ୍ୟବସାୟ ବା ସୃଜନ ଉଭୟକ୍ଷେତ୍ରରେ ଅଭିବୃଦ୍ଧି ଆଶା କରାଯାଇ ନପାରେ ।


 

ଓଡ଼ିଆ ଗଣମାଧ୍ୟମ ନିମନ୍ତେ ୨୦୧୯ କ୍ୟାଲେଣ୍ଡର ବର୍ଷଟି ବିଜ୍ଞାପନ ରାଜସ୍ୱ ଆୟ କ୍ଷେତ୍ରରେ ଶୁଭପ୍ରଦ ହେବା ଆଶା କରାଯାଇପାରେ ।ମୌଳିକ ଭାବେ ଓଡ଼ିଆ ଗଣମାଧ୍ୟମ ମଞ୍ଚଗୁଡ଼ିକ ବିଜ୍ଞାପନ ପରିପୁଷ୍ଟ ଓ ରାଜନୀତିକ-ନିବେଶ-ଆଶ୍ରିତ ହୋଇଥିବା ହେତୁ ନିର୍ବାଚ଼ନ ଅବସରରେ ପ୍ରଚ଼ାର ନିମନ୍ତେ ବିଜ୍ଞାପନ ରାଜସ୍ୱରୁ ଆୟ ବୃଦ୍ଧି ଓ ବ୍ୟବସାୟ ପରିଚ଼ାଳନାରେ ରାଜନୀତିକ ପ୍ରୋତ୍ସାହନ ବଳବତ୍ତର ରହିବା ସୁନିଶ୍ଚିତ । ୨୦୧୯ ନିର୍ବାଚ଼ନ ଅବ୍ୟବହିତ ପୂର୍ବରୁ ୨୦୧୭ ଓ ୨୦୧୮ ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ନୀତି ଓଡ଼ିଆ ମୁଦ୍ରଣ, ଟେଲିଭିଜନ, ରେଡ଼ିଓ ତଥା ୱେବ ପୋର୍ଟାଲଗୁଡ଼ିକ ନିମନ୍ତେ ଆୟବୃଦ୍ଧିରେ ସହାୟକ ହୋଇଛି ।


 

ମୁଖ୍ୟତଃ, ଓଡ଼ିଆ ଭାଷାରେ ୱେବପୋର୍ଟାଲ ଉଧେଇ ପାରୁ ନଥିବା ସ୍ଥଳେ ସରକାରୀ ବିଜ୍ଞାପନ ପ୍ରକାଶନ କାରଣରୁ ଏକ ସ୍ୱତନ୍ତ୍ର ମଞ୍ଚ ରୂପେ ଅଣ୍ଟାଭିଡ଼ିବାରେ ସମର୍ଥ ହୋଇଛି । ୨୦୧୯ ନିର୍ବାଚ଼ନୀ ବର୍ଷରେ ଦେଶବ୍ୟାପୀ ଏକ ଚ଼ତୁର୍ଥାଂଶ ବିଜ୍ଞାପନ ରାଜସ୍ୱ ସୋସିଆଲ ମିଡ଼ିଆରେ ବ୍ୟୟ ଅଟକଳ କରାଯାଉଥିବାସ୍ଥଳେ ଓଡ଼ିଆ ୱେବପୋର୍ଟାଲଗୁଡ଼ିକ ଉପକୃତ ହେବା ସ୍ୱାଭାବିକ । ସେହିପରି ରୁଗଣ ପ୍ରାୟ କେତେକ ଟେଲିଭିଜନ ଚ଼୍ୟାନେଲ ଓ ସମ୍ୱାଦପତ୍ରରେ ନିର୍ବାଚ଼ନକୁ ଦୃଷ୍ଟିରେ ରଖି ରାଜନୀତିକ ନିବେଶକମାନଙ୍କ କୃପାଦୃଷ୍ଟି ସେଗୁଡ଼ିକୁ ପୁର୍ନଜୀବନ ଲାଗି ଉଦ୍ୟମରେ ସହାୟକ ହୋଇଛି ।


 

ତେବେ ପ୍ରଶ୍ନ ଉଠେ ନିର୍ବାଚ଼ନ ପରେ ନିର୍ବାଚ଼ନୀ ବିଜ୍ଞାପନ, ରାଜନୀତିକ ପ୍ରୋତ୍ସାହନ ଓ ସରକାରୀ ବିଜ୍ଞାପନ ପ୍ରଦାନରେ କୋହଳ ନୀତି ଅପସରି ଗଲେ ଗଣମାଧ୍ୟମ ମଞ୍ଚଗୁଡ଼ିକ ପୁଣି ଅଭାବଗ୍ରସ୍ତ ହୋଇ ପଡ଼ିବେନି କି ? ଏହି ପରିସ୍ଥିତିରେ ମୁକାବିଲା କରିବା ନିମନ୍ତେ ନିଜସ୍ତରରେ ରଣନୀତି ରଚ଼ନା କଲେଣି କି ? ସାମୟିକ ସୁବିଧା ସୁଯୋଗର ଉଚ଼ିତ ବ୍ୟବହାର କରାଯାଇପାରିଲେ ତାହା ଭବିଷ୍ୟତ ଅଭିବୃଦ୍ଧିରେ ସହାୟକ ହୋଇଥାଏ ।ଏହି ଅବସରରେ ପ୍ରକାଶନଗୁଡ଼ିକର ଗୁଣାତ୍ମକ ବିକାଶ, ପାଠକ ତଥା ଦର୍ଶକ ସଂଖ୍ୟା ବୃଦ୍ଧି ଏବଂ ଲୋକପ୍ରିୟ ବ୍ରାଣ୍ଡରୂପେ ଗଢ଼ିତୋଳିବା ନିମନ୍ତେ ଉଦ୍ୟମ ବୁଦ୍ଧିମତ୍ତାର ପରିଚ଼ୟ ଦେବ ।


 

କିନ୍ତୁ ଅପରପକ୍ଷେ ନିର୍ବାଚ଼ନ ଅବସରରେ ଆର୍ଥିକ କାରଣଜନିତ ବାଧ୍ୟବାଧକତାରେ ଯେଉଁ ପ୍ରକାଶନଗୁଡ଼ିକ ରାଜନୀତିକ ପକ୍ଷପାକ୍ଷିକତାରେ ଅଂଶୀଦାର ହେବେ ସେଗୁଡ଼ିକ ନିଶ୍ଚିତଭାବେ ପାଠକ ଓ ଦର୍ଶକଙ୍କ ବିଶ୍ୱାସନୀୟତା ହରାଇବେ । ନିର୍ବାଚ଼ନ ପରବର୍ତ୍ତୀ ଅବସ୍ଥାରେ ଏହା ସେଗୁଡ଼ିକୁ ପ୍ରତିକୂଳ ପରିବେଶକୁ ଠେଲି ଦେବ ନାହିଁ କି ? ଅତଏବ ପ୍ରତ୍ୟେକ ପ୍ରକାଶନ ଦୀର୍ଘ ମିଆଦୀଭିତ୍ତିରେ ନୀତିନିୟମ ପ୍ରସ୍ତୁତ ନ କରିପାରିଲେ ସାମୟିକ ପ୍ରୋତ୍ସାହନ ଉପଭୋଗରେ ଦୀର୍ଘସ୍ଥାୟୀ କ୍ଷତିକୁ ନିମନ୍ତ୍ରଣ ସାର ହେବ ।


 

ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମ କ୍ରମଶଃ ବିଜ୍ଞାପନ ରାଜସ୍ୱ ଆଶ୍ରିତ ପରିବେଶରୁ ଗ୍ରାହକ ଚ଼ାନ୍ଦା ଓ ବଦାନ୍ୟତା ପରିପୁଷ୍ଠ ବ୍ୟାବସାୟିକ ଶୈଳୀ ଆଡ଼କୁ ଆକର୍ଷିତ ହେଉଥିବା ସ୍ଥଳେ ଓଡ଼ିଶାରେ ବିଜ୍ଞାପନ ଓ ରାଜନୀତିକ ନିବେଶ କେତେଦିନ ବଳବତ୍ତର ରହିବ ତାହା ସମୟ କହିବ । ତେବେ ୨୦୧୯ ନିର୍ବାଚ଼ନ ପରବର୍ତ୍ତୀ ଅବସ୍ଥାରେ ପାଞ୍ଚ ସାତ ବର୍ଷ ମଧ୍ୟରେ ବୃହତ୍ତ ଅର୍ଥନୀତିକ, ବ୍ୟାବସାୟିକ ଓ ସାମାଜିକ ପରିବର୍ତ୍ତନ ଆକଳନ କରାଯାଉଥିବା ହେତୁ ଓଡ଼ିଆ ଗଣମାଧ୍ୟମରେ ମଧ୍ୟ ନୂତନ ସମୀକରଣ ଆଶା କରାଯାଇପାରେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୪ ଡ଼ିସେମ୍ୱର ୨୦୧


ତଥ୍ୟ:



Pinto, Viveat Susan.Polls to loosen advertising purse strings.Business Standard (Bhubaneswar Edition). December 5, 2018


 

Mishra, Dheeraj. Modi Government has already spent double what the UPA did on publicity. 



https://thewire.in/government/modi-bjp-governemnt-publicy-advertisement. October 29, 2018

ବିଜ୍ଞାପନ ଆୟରେ ମାନ୍ଦାବସ୍ଥା

ଭାରତୀୟ ଅର୍ଥନୀତିରେ ପ୍ରଥମେ ନିର୍ମାଣ ଶିଳ୍ପ, ତା’ପରକୁ ମଟରଗାଡ଼ି ଏବଂ ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆୟବ୍ୟୟହିସାବଫର୍ଦ୍ଦରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ବିକ୍ରୀବଟା ହ୍ରାସ ହେତୁ ମାନ୍ଦାବସ୍ଥାପରିଲକ୍ଷିତ ହୋଇଥିବା ଚର୍ଚ୍ଚିତ ବିଷୟବସ୍ତୁ । ଏହାର ସିଧାସଳଖ ପ୍ରଭାବ ଗଣମାଧ୍ୟମର ବିଭିନ୍ନ ମଞ୍ଚରେ ବିଜ୍ଞାପନ ଆୟରେପଡିଥିବା ହିସାବ କରାଯାଉଛି ।


 

ଦେଶର ସମ୍ୱାଦପତ୍ର, ଟେଲିଭିଜନ ଓ ଅନଲାଇନ ଇତ୍ୟାଦି ଗଣମାଧ୍ୟମ ମଞ୍ଚ ଗୁଡ଼ିକ ମୁଖ୍ୟତଃ ବିଜ୍ଞାପନ ଆଶ୍ରିତ ବ୍ୟାବସାୟିକ ଧାରା ‘ମଡ଼େଲ’ରେ ପର୍ଯ୍ୟବସିତ । ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ବାର୍ଷିକ ବ୍ୟବସାୟ ‘ଟର୍ଣ୍ଣଓଭର’ ଏକ ଲକ୍ଷ ୬୭ ହଜାର ୪୦୦ କୋଟି ଛୁଉଁଥିବା ସ୍ଥଳେ ସେଥିରେ ୩୦ ହଜାର ୫୫୦ କୋଟି ବିଜ୍ଞାପନ ରାଜସ୍ୱ ଅନ୍ତର୍ଭୁକ୍ତ । ବିଜ୍ଞାପନ ଆୟରେ ମାନ୍ଦାବସ୍ଥା ଯଦି ୨୦୧୯-୨୦ ଆର୍ଥିକ ବର୍ଷର ତୃତୀୟ ଓ ଚ଼ତୁର୍ଥତ୍ରୈୟମାସିକ ପର୍ଯ୍ୟାୟରେ ବଳବତ୍ତର ରହେ ତେବେ ଗଣମାଧ୍ୟମ ବ୍ୟବସାୟ କ୍ଷତିର ସମ୍ମୁଖୀନ ହେବା ସୁନିଶ୍ଚିତ ।


 

ପାଶ୍ଚାତ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକରେ ମୁଦ୍ରଣ ଓ ଟେଲିଭିଜନ ଉଭୟ ବ୍ୟବସାୟରେ ଦୀର୍ଘକାଳ ଧରି ମାନ୍ଦାବସ୍ଥା ଲାଗି ରହିଥିଲେ ହେଁ ୨୦୧୮ ସୁଦ୍ଧା ଭାରତୀୟ ଗଣମାଧ୍ୟମରେ ବିଜ୍ଞାପନ ଅଭିବୃଦ୍ଧିହାର୧୩ ପ୍ରତିଶତ ଗଣିତ କରାଯାଉଥିଲା । ପରବର୍ତ୍ତୀ ୨୦୧୯ର ପ୍ରଥମାର୍ଦ୍ଧରେ ଲୋକସଭା ଓ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ସତ୍ତ୍ୱେ ନିର୍ବାଚନୀ ବିଜ୍ଞାପନକୁ ଯୋଗକରି ପ୍ରମୁଖ ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ଅଭିବୃଦ୍ଧି ହାର ହ୍ରାସ ପାଇଥିବା ପ୍ରକାଶ କରିଛନ୍ତି ।


 

ଗଣମାଧ୍ୟମ ବିଜ୍ଞାପନ ଅର୍ଥନୀତିରେ ଆମ ଦେଶରେ ମଟରଗାଡ଼ି, ଶିକ୍ଷା ଓ ସରକାରୀ ବିଜ୍ଞାପନ ଆୟ ମୁଦ୍ରଣ ମଞ୍ଚରେ ୪୦ ପ୍ରତିଶତ ଦାବୀ କରିଥାଏ । ୨୦୧୯ ବର୍ଷ ଆରମ୍ଭରୁ ମଟରଗାଡ଼ି ବିକ୍ରୀ ତିନି ତ୍ରୈମାସିକ ପର୍ଯ୍ୟାୟରେ ହ୍ରାସ ପାଇ ଚାଲିଛି । ଏହାର ବିଭିନ୍ନ କାରଣ ମଧ୍ୟରେ ଗ୍ରାହକଙ୍କ ହାତରେ ପୁଞ୍ଜି ଅଭାବ, ବିମୁଦ୍ରାୟନ ପରବର୍ତ୍ତୀ ଅବସ୍ଥାରେ ସ୍ୱଚ୍ଛତା ଓ ଦ୍ରବ୍ୟସେବା କର ଲାଗୁପରେ ବ୍ୟାବସାୟିକ ପୁର୍ନବିନ୍ୟାସ, ପେଟ୍ରୋଲ ଓ ଡିଜେଲ ଯାନବାହାନ ବିରୋଧୀ ସରକାରୀ ନୀତି ଇତ୍ୟାଦିକୁ ଦାୟୀ କରାଯାଇପାରେ । ଶିକ୍ଷାଶେଷରେନିଯୁକ୍ତି ଅଭାବ ହେତୁ ଉଚ୍ଚଶିକ୍ଷା ତଥା ଇଞ୍ଜିନିୟରିଂ ଶିକ୍ଷାପ୍ରତି ଛାତ୍ରଛାତ୍ରୀ ବିମୁଖ ହେଉଥିବା ଧାରା ଶିକ୍ଷା ସଂପର୍କୀତ ବିଜ୍ଞାପନ ବ୍ୟୟକୁ ପ୍ରଭାବିତ କରିବା ନିଶ୍ଚିତ । ହିସାବ ଅନୁଯାୟୀ ୨୦୧୯ର ପ୍ରଥମ ଦୁଇ ତ୍ରୈମାସିକ ପର୍ଯ୍ୟାୟରେ ନିର୍ବାଚନ ବ୍ୟୟକୁ ବାଦଦେଲେସରକାରୀ ବିଜ୍ଞାପନ ବ୍ୟୟ ପ୍ରାୟ ୫୦ ପ୍ରତିଶତ କମିଥିବା ଜଣାଯାଏ ।


 

ବ୍ୟାଙ୍କ ଓ ଅର୍ଥନୀତିକ ସେବା ଶିଳ୍ପଗୁଡ଼ିକ ପକ୍ଷରୁ ବିଜ୍ଞାପନ ବ୍ୟୟ ମଧ୍ୟ ଉଲ୍ଲେଖନୀୟ ସ୍ଥାନ ଅଧିକାର କରୁଥିବା ସ୍ଥଳେ ବ୍ୟାଙ୍କ କାରବାରରେ ବିଶୃଙ୍ଖଳାଜନିତକାରଣରୁ ଧୀମେଇ ଯାଇଛି । ପୂର୍ବରୁଚିଟଫଣ୍ଡଭଳି ସଞ୍ଚୟ ଓ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକର ସ୍ଥିତି ଦୋହଲି ଯାଇଥିବା ହେତୁ ସେହି କ୍ଷେତ୍ରରେ ବିଜ୍ଞାପନ ବ୍ୟୟ ପ୍ରାୟତଃ ଲୋପ ପାଇଛି । ନିର୍ମାଣ ଶିଳ୍ପରେ ବିମୁଦ୍ରାୟନ ପରଠାରୁ ବ୍ୟବସାୟ ମୋଟରୁ ଉଧେଇ ପାରୁନାହିଁ । ତେଣୁ ସେହି କ୍ଷେତ୍ରରେ ବିଜ୍ଞାପନ ବ୍ୟୟ ଆଶା କରାଯାଇନପାରେ । ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଥମ ଦୁଇ ତ୍ରୈୟମାସିକ ପର୍ଯ୍ୟାୟରେ ବିସ୍କୁଟ, ସାବୁନ ଓ ଶାମ୍ପୋର ଛୋଟ ପ୍ୟାକେଟ ଭଳି ସୌଖୀନ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ବିକ୍ରୀରେ ଅବକ୍ଷୟ ଚିନ୍ତାର କାରଣ ପାଲଟିଛି ।


 

ବିଜ୍ଞାପନ ଆୟ ହ୍ରାସ ସଂପର୍କରେ ପ୍ରତିଷ୍ଠିତ ମୁଦ୍ରଣ ଗଣମାଧ୍ୟମ ମଞ୍ଚ ହିନ୍ଦୁସ୍ତାନ ଟାଇମସ ସହ ଦୈନିକ ଭାସ୍କର ଓ ଜାଗରଣ ପ୍ରକାଶନ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟମାସିକ ପର୍ଯ୍ୟାୟରେ ବିଜ୍ଞାପନ ଆୟହ୍ରାସପ୍ରକାଶ୍ୟରେସ୍ୱୀକାର କରିଛନ୍ତି । ଇଂଲିଶ ଦୈନିକ ‘ହିନ୍ଦୁସ୍ତାନ ଟାଇମସ’ ଓ ହିନ୍ଦିଦୈନିକ ‘ହିନ୍ଦୁସ୍ତାନ’ର ପ୍ରକାଶକ ହିନ୍ଦୁସ୍ଥାନ ଟାଇମସ ମିଡିଆ ବିଜ୍ଞାପନ ଆୟ ୯ ପ୍ରତିଶତ ଖସି ଆସିଥିବା ଦର୍ଶାଇଛନ୍ତି । ସେହିପରି ହିନ୍ଦି‘ଦୈନିକ ଭାସ୍କର’ଓ ‘ଦୈନିକ ଜାଗରଣ’ପ୍ରକାଶକମାନେ ଯଥାକ୍ରମେ ୨.୮ ପ୍ରତିଶତ ଓ ୩.୨ ପ୍ରତିଶତ ବିଜ୍ଞାପନ ଆୟ ହ୍ରାସ ସୂଚନା ଦେଇଛନ୍ତି ।


 

ଅପରପକ୍ଷେ ଟେଲିଭିଜନ ମଞ୍ଚରେ ଷ୍ଟାର ଇଣ୍ଡିଆ ଗତ ବର୍ଷ ୪୨୫ କୋଟି ଟଙ୍କା କ୍ଷତି ସହିଥିବା ଜଣାଯାଏ । କୁହାଯାଉଛି ଯେ ଦେଶବ୍ୟାପୀ ୨୦୧୯ ଫେବୃୟାରୀମାସରୁ ଟେଲିଭିଜନ ଚ୍ୟାନେଲ ଗ୍ରାହକ ଚାନ୍ଦା ଦେୟରେ ପରିବର୍ତ୍ତନ ହେତୁ ଟେଲିଭିଜନ ଦର୍ଶକ ସଂଖ୍ୟା ହ୍ରାସ ବିଜ୍ଞାପନ ଆୟକୁ ସଙ୍କୁଚିତ କରିଛି ।


 

ଜାତୀୟ ଅଭିବୃଦ୍ଧି ହାର ‘ଜିଡ଼ିପି’ର ସ୍ଥିତି ସହ ବିଜ୍ଞାପନ ବ୍ୟୟ ସମତୁଲ ରହୁଥିବା ଲକ୍ଷ୍ୟ କରାଯାଏ । ଅଭିବୃଦ୍ଧି ହାର ବଢ଼ିଲେବିଜ୍ଞାପନ ବ୍ୟୟ ବଢ଼େ ଏବଂ ଅଭିବୃଦ୍ଧି ହାର କମିଲେ ବିଜ୍ଞାପନ ବ୍ୟୟ କମେ । ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଦୁଇ ତ୍ରୈମାସିକ ପର୍ଯ୍ୟାୟରେ ଅଭିବୃଦ୍ଧି ହାର ଅପେକ୍ଷାକୃତ କମରହିଥିବା ସ୍ଥଳେ ତାହାର ପ୍ରଭାବରେ ବିଜ୍ଞାପନ ବ୍ୟୟ କମୁଥିବା କାରଣଭାବେ ଦର୍ଶାଯାଉଛି ।


 

ଭାରତୀୟ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବିଜ୍ଞାପନ ବ୍ୟୟ ହ୍ରାସ ସୃଜନ ପ୍ରକ୍ରିୟାକୁ ଶୀଥିଳକରିପକାଏ । ବିଜ୍ଞାପନ ଆୟକୁ ଭିତ୍ତିକରି ଦେଶର ପ୍ରମୁଖ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ପୃଷ୍ଠା ସଂଖ୍ୟା ୨୦୧୯ ଜୁଲାଇରୁ କାଟସାଟ କରିଥିବା ଦେଖିବାକୁ ମିଳିଥିଲା । ସମ୍ୱାଦପତ୍ରର ମୁଖ୍ୟ କଞ୍ଚାମାଲ ଚାରି ପୃଷ୍ଠା କାଗଜର ମୂଲ୍ୟ ପ୍ରାୟ ଏକ ଟଙ୍କା ହିସାବ କରାଯାଉଥିବା ସ୍ଥଳେ ୧୨ ପୃଷ୍ଠା ମୁଦ୍ରିତ ସମ୍ୱାଦପତ୍ରର ବିକ୍ରୀ ମୂଲ୍ୟ ତିନିଟଙ୍କା କିମ୍ୱା ୧୬ ରୁ ୨୦ ପୃଷ୍ଠା ମୁଦ୍ରିତ ସମ୍ୱାଦପତ୍ରର ବିକ୍ରୀ ମୂଲ୍ୟ ପାଞ୍ଚ ଟଙ୍କାରେ ସୀମିତ ରଖିବା ସଂଭବପର ହୋଇନପାରେ । ଅର୍ଥନୀତିକ ମାନ୍ଦାବସ୍ଥା ହେତୁ ବ୍ୟାବସାୟିକ ବିଜ୍ଞାପନ ବ୍ୟୟ ହ୍ରାସ ସହ ଡିଜିଟାଲ ମଞ୍ଚକୁ ବିଜ୍ଞାପନ ସ୍ଥାନାନ୍ତର ମଧ୍ୟ ମୁଦ୍ରଣ ପ୍ରକାଶନ ଶିଳ୍ପ ଅବସ୍ଥାକୁ ଜଟିଳ କରିପକାଉଛି ।


 

ସରକାରୀ ଓ ଅର୍ଦ୍ଧସରକାରୀକାର୍ଯ୍ୟାଳୟଗୁଡ଼ିକରେଡ଼ିଜିଟାଲ କାରବାରକୁ ପ୍ରୋତ୍ସାହିତ କରାଯାଉଥିବା ସ୍ଥଳେ ଟେଣ୍ଡର ବିଜ୍ଞପ୍ତି ଇତ୍ୟାଦି ଡ଼ିଜିଟାଲ ମଞ୍ଚରେ ପ୍ରକାଶନକୁ ଅଗ୍ରାଧିକାର ଦିଆଯାଉଛି । ଫଳରେ ସରକାରୀ ବିଜ୍ଞାପନ ବ୍ୟୟ ମଧ୍ୟ ଅର୍ଦ୍ଧାଧିକ କମି ଆସିଥିବା ହିସାବ କରାଯାଉଛି ।କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଦ୍ରଣ ବିଜ୍ଞାପନ ଦେୟ ପରିମାଣ ବୃଦ୍ଧି କରାଯାଇଥିଲେହେଁ ତାହାର ସୁଫଳ ପ୍ରକାଶକମାନେ ପାଇପାରୁ ନାହାନ୍ତି ।


 

ଓଡ଼ିଶାରେ ଉଭୟ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଚ୍ୟାନେଲଗୁଡ଼ିକ ବିଜ୍ଞାପନ ଆଶ୍ରିତ ହୋଇଥିବା ସ୍ଥଳେ ସରକାରୀ ବିଜ୍ଞାପନକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପ୍ରାରମ୍ଭରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେତୁ ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଓ ଦଳୀୟ ବିଜ୍ଞାପନ ପାଇଥିଲେ ।କିନ୍ତୁପରବର୍ତ୍ତୀ ତ୍ରୈୟମାସିକ ପର୍ଯ୍ୟାୟରେ ନଗଣ୍ୟସ୍ତରକୁକମିଆସିବା ସ୍ୱାଭାବିକ ।


 

ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ବ୍ୟାବସାୟିକ ବିଜ୍ଞାପନ ବ୍ୟୟ ହ୍ରାସ କାରଣରୁ ବହୁଳ ପ୍ରସାରିତ ତିନି ଚାରିଗୋଟି ଓଡ଼ିଆ ସମ୍ୱାଦପତ୍ରକ୍ଷତିସହିବା ସ୍ଥଳେ ସରକାରୀ ବିଜ୍ଞାପନ ବ୍ୟୟ ହ୍ରାସ ଦ୍ୱାରା ଆଗଧାଡିରଅନ୍ୟ ଅଧଡ଼ଜନେଓଡ଼ିଆ ସମ୍ୱାଦପତ୍ର ପ୍ରଭାବିତ ହେବେ । ଏହି ଅବସରରେ ଗ୍ରାହକ ଚାନ୍ଦା ବୃଦ୍ଧି ଅପରିହାର୍ଯ୍ୟ ହୋଇପଡିଥିବା ବେଳେ ଓଡ଼ିଆ ସମ୍ୱାଦପତ୍ରପୃଷ୍ଠାଗୁଡ଼ିକରେ ପାଠକଙ୍କ ବ୍ୟବହାରଯୋଗ୍ୟ ଉପାଦାନ ଅଭାବରେ କିପରି ସମନ୍ୱୟସ୍ଥାପନ କରିପାରିବେ ତାହା ଚିନ୍ତାର ବିଷୟ । ସମାଜର ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ନବ-ସାକ୍ଷରମାନେ ପୋଷାକ, ବିସ୍କୁଟ, ସାବୁନ ଶାମ୍ପୋକୁନିୟମିତ ସଉଦା ତାଲିକାରୁ ବାଦ ଦେଉଥିବା ସ୍ଥଳେ ସମ୍ୱାଦପତ୍ରକୁଖଣ୍ଡ ପିଛା ଦୈନିକ ପ୍ରଭାତରେ ଛଅରୁ ଆଠଟଙ୍କା ଗଣିବେକି ତାହା ଏକ ପ୍ରଶ୍ନବାଚୀ !  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୦ ଅଗଷ୍ଟ ୨୦୧


ତଥ୍ୟ:



Kohli-Khandekar, Vanita. Media & entertainment takes hit amid slowing advertising spend. Business Standard (Bhubaneswar Edition). August 21, 2019. 

ଆଇପିଏଲ ୨୦୨୦ରେ ବିଜ୍ଞାପନ ବ୍ୟୟ

ମହାମାରୀ ପ୍ରଭାବରେ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଆକଳନ କରାଯାଉଥିବା ସ୍ଥଳେ ଭାରତରେ ଲକଡ଼ାଉନ ପରବର୍ତ୍ତୀ ଛଅମାସରେ ସେପ୍ଟେମ୍ୱର ସୁଦ୍ଧା ବ୍ୟାବସାୟିକ ପରିବେଶ ସେଦିଗରେ ସହମତି ପ୍ରକାଶର ଉଦାହରଣ ଦେଖିବାକୁ ମିଳିଥିଲା । ଭାରତରେ ୨୦୨୦ ସୁଦ୍ଧା ମୁଦ୍ରଣ, ଟେଲିଭିଜନ ଓ ଇଣ୍ଟରନେଟଭିତ୍ତିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ବିଜ୍ଞାପନଆଶ୍ରିତ ମଡ଼େଲରେ ବିକଶିତ ହୋଇଥିବା ହେତୁ ପାଠକ, ଦର୍ଶକଙ୍କ ସଂଖ୍ୟା ଏବଂ ତତ୍ ଜନିତ ବିଜ୍ଞାପନ ଆୟ ଗୁରୁତ୍ୱ ବହନ କରିଥାଏ । ଏହି ପରିବେଶରେ ଯେଉଁ ମଞ୍ଚରେ ଯେଉଁ ଉତ୍ପାଦଗୁଡ଼ିକର ଉପଭୋକ୍ତାଙ୍କ ସଂଖ୍ୟା ଯେତେ ଅଧିକ ତଦ୍ ଅନୁଯାୟୀ ବିଜ୍ଞାପନ ଆୟ ବୃଦ୍ଧିପ୍ରାପ୍ତ ହୋଇ ବ୍ୟାବସାୟିକ ସ୍ଥିତିକୁ ସୁଦୃଢ଼ କରେ । ମୋଟ ଉପରେ ବିଜ୍ଞାପନ ଆୟରୁ ହିଁ ଗଣମାଧ୍ୟମ ବ୍ୟବସାୟରେ ଲାଭ ହିସାବ କରାଯାଇଥାଏ ।


 

ଦେଶରେ ବିଗତ ଚାରି ଦଶନ୍ଧି ଧରି ଟେଲିଭିଜନ ପ୍ରସାରଲାଭ କରିବା ପରଠାରୁ କ୍ରମଶଃ କ୍ରିକେଟର ସିଧାପ୍ରସାରଣ ଦର୍ଶକ ଋଚି ତାଲିକାରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ୨୦୦୮ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ ‘ଆଇପିଏଲ’ ସମସ୍ତ ଗଣମାଧ୍ୟମ ମଞ୍ଚରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ମହାମାରୀଜନିତ କଟକଣା ଯୋଗୁଁ ଆଇପିଏଲ ୨୦୨୦ ଆୟୋଜନ ନେଇ ଅନିଶ୍ଚିତତା ଦେଖା ଦେଇଥିଲା । ଶେଷରେ ୟୁନାଇଟେଡ଼ ଆରବ ଏମରେଟିସର ଦୁବାଇ, ସାରଜହା ଓ ଆବୁଧାବୀରେ ବିନା ଦର୍ଶକରେ ୧୯ ସେପ୍ଟେମ୍ୱରରୁ ୧୦ ନଭେମ୍ୱର ମଧ୍ୟରେ ୧୩ ତମ ସଂସ୍କରଣ ଆଇପିଏଲ ଖେଳାଯିବା ସ୍ଥିରୀକୃତ ହୋଇଥିଲା ।


 

ଦେଶ ବାହାରେ ପ୍ରତିଯୋଗିତା ଆୟୋଜନ, ଦର୍ଶକବିହୀନ ଖେଳ ଓ ମହାମାରୀଜନିତ ମନ୍ଦାବସ୍ଥା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ର ଲୋକପ୍ରିୟତାକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଥିଲା । ତେବେ ପ୍ରତିଯୋଗିତାର ପ୍ରଥମ ସପ୍ତାହରେ ଟେଲିଭିଜନ ଓ ଓଭର-ଦି-ଟପ ଡ଼ିଜିଟାଲ ମଞ୍ଚରେ ପରିସଂଖ୍ୟାନ ଦର୍ଶକ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଲାନାହିଁ ।


 

‘ବ୍ରଡ଼କାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ’ ର ତଥ୍ୟ ଅନୁଯାୟୀ ଆଇପିଏଲ ୨୦୨୦ର ପ୍ରଥମ ସପ୍ତାହର ଖେଳ ଆଠ କୋଟି ୬୦ ଲକ୍ଷ ପରିବାରରେ ୨୬ କୋଟି ୯୦ ଲକ୍ଷ ଦର୍ଶକ ଉପଭୋଗ କରିଥିଲେ । ଆପିଏଲ ୨୦୧୯ରେ ୨୬ କୋଟି ୮୦ ଲକ୍ଷ ଦର୍ଶକ ଗଣନା କରାଯାଇଥିବା ସ୍ଥଳେ ୨୦୨୦ରେ ଦର୍ଶକଙ୍କ ସଂଖ୍ୟା ୧୧ ଲକ୍ଷ ବୃଦ୍ଧି ପାଇଥିଲା । ଦର୍ଶକମାନଙ୍କ ଖେଳ ଦେଖାର ସମୟସୀମା ମଧ୍ୟ ପୂର୍ବବର୍ଷ ତୁଳନାରେ ୧୫ ପ୍ରତିଶତ ବଢ଼ିଥିଲା ।


 

ଆଇପିଏଲ ୨୦୨୦ର ଶୀର୍ଷକ ପ୍ରାୟୋଜକ ‘ଟାଇଟଲ ସ୍ପୋନସର’ ରୂପେ ଡ଼ିଜିଟାଲ କ୍ରୀଡ଼ା ମଞ୍ଚ ‘ଡ୍ରିମ ୧୧’ ସମୁଦାୟ ୨୨୨ କୋଟି ଟଙ୍କା ବିନିମୟରେ ସତ୍ତ୍ୱ ହାସଲ କରିଥିଲା । ‘ଡ୍ରିମ ୧୧’ ଏକ ଫାଣ୍ଟାସି ଗେମ ଆପ୍ଲିକେସନ । ଏହି ଡିଜିଟାଲ କ୍ରୀଡ଼ା ମଞ୍ଚରେ ଉପଭୋକ୍ତାମାନେ ନିଜ ମନମୁତାବକ ଭର୍ଚୁଆଲ କ୍ରୀଡ଼ାବିତ ମନୋନୟନ କରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଏବଂ ସେମାନଙ୍କ ପ୍ରାୟୋଜିତ ଟିମର ପ୍ରଦର୍ଶନ ଅନୁଯାୟୀ ପୁରସ୍କାର ଲାଭ କରିପାରିବା ବ୍ୟବସ୍ଥା ରହିଥାଏ । ଭାରତରେ ୨୦୦୮ରୁ ବିକଶିତ ଫଣ୍ଟାସି ଗେମିଂ ଆପ୍ଲିକେସନ ବିପୁଳ ଅର୍ଥ ବିନିମୟରେ ଆଇପିଏଲର ପ୍ରାୟୋଜକ ସାଜିବା ଦେଶର ପରିବର୍ତ୍ତିତ ଡିଜିଟାଲ ପରିବେଶର ପ୍ରମାଣ ଦେଇଥାଏ ।


 

ଆଇପିଏଲ ୨୦୨୦ ପ୍ରତିଯୋଗିତାର ସିଧା ପ୍ରସାରଣ ସତ୍ତ୍ୱ ଡିସନି+ହଟଷ୍ଟାର ଅଧିଗ୍ରହଣ କରିଥିଲା । ପୂର୍ବବର୍ଷ ମଧ୍ୟ ସଂପୃକ୍ତ ପକ୍ଷ ପ୍ରସାରଣ ସତ୍ତ୍ୱ ପରିଚାଳନାରେ ଡ଼ିଜିଟାଲ ମଞ୍ଚରୁ ବିଜ୍ଞାପନ ବାବଦରେ ୨୫୦ କୋଟି ଟଙ୍କା ଆୟ କରିଥିବା ସ୍ଥଳେ ୨୦୨୦ରେ ୩୦୦ କୋଟି ଟଙ୍କା ଲକ୍ଷ୍ୟ ରଖିଥିଲା । ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ବିଜ୍ଞାପନ ସ୍ପଟଗୁଡ଼ିକ ୧୩ ଗୋଟି ପ୍ରାୟୋଜକଙ୍କ ମଧ୍ୟରେ ବିକ୍ରୀ ହୋଇଯାଇଥିବା କୁହାଯାଇଥିଲା ।


 

ବିଜ୍ଞାପନଦାତାଙ୍କ ମଧ୍ୟରେ ଫ୍ଳିପକାର୍ଟ, ସ୍ପିଗି, ଏମଏକ୍ସ ପ୍ଲେୟାର, ଆକୋ, ଏସ୨୩, ଖାତାବୁକ, ଗ୍ରେଟ ଲେରନିଂ, କ୍ୟାଲେଣ୍ଡର, କିଙ୍ଗଫିସର, ମାରୁତି ସୁଜୁକି ଓ ଏସୋସିଏସନ ଅଫ ମିଉଚ୍ୟୁଲ ଫଣ୍ଡସ ଇନ ଇଣ୍ଡିଆ ଅନ୍ତର୍ଗତ । ଅନ୍ୟ ବିଜ୍ଞାପକଙ୍କ ମଧ୍ୟରେ ପ୍ରକ୍ଟର ଏଣ୍ଡ ଗେମ୍ୱଲ, କେଲାଗସ, ହିମାଳୟ, ଏପଲ, ଇଣ୍ଟେଲ, ଜେଏସଡ଼ବ୍ଲ୍ୟୁ, ଭିସା, ମାଷ୍ଟରକାର୍ଡ ଓ କାରଦେଖୋ ପ୍ରମୁଖ ପ୍ରଧାନ ।


 

ଦେଶର ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ଟେଲିଭିଜନ ଓ ଓଟିଟି ମଞ୍ଚରେ ସିଧାପ୍ରସାରଣ ସର୍ବାଧିକ ସଂଖ୍ୟକ ଦର୍ଶକଙ୍କ ନିକଟରେ ପହଞ୍ଚୁଥିବା ହେତୁ ନିଜ ଉତ୍ପାଦ ସଂପର୍କରେ ବିଜ୍ଞାପନ ପ୍ରଦର୍ଶନ ନିମନ୍ତେ ଆଗ ଧାଡ଼ିର ବିଜ୍ଞାପକମାନେ ତତ୍ପରତା ପ୍ରକାଶ କରିବା ସ୍ୱାଭାବିକ । ତେବେ ଆଇପିଏଲ ୨୦୨୦ କ୍ରୀଡ଼ାତ୍ସୋବର ପ୍ରାୟୋଜକ ଏବଂ ସିଧାପ୍ରସାରଣ ସତ୍ତ୍ୱ ହାସଲ କରିଥିବା ଡିସନି + ହଟଷ୍ଟାରର ବିଜ୍ଞାପକଙ୍କ ମଧ୍ୟରେ ବଡ଼ ଧରଣର ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା । ପାରମ୍ପରିକଭାବେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ‘ଏଫଏମସିଜି’, ଅଟୋମୋବାଇଲ, ଶିକ୍ଷା, ଖୁଚୁରା ବ୍ୟବସାୟ ‘ରିଟେଲ’, ନିର୍ମାଣ ଉଦ୍ୟୋଗ ଏବଂ ପୋଷାକପତ୍ର, ଗହଣା, ଫାଶନ ଇତ୍ୟାଦି କ୍ରମାନ୍ୱୟରେ ବିଜ୍ଞାପନ ବ୍ୟୟରେ ଆଗୁଆରହିଆସିଥିବା ସ୍ଥଳେ ଆଇପିଏଲ ୨୦୨୦ ସୂଚ଼ୀରେ ଏଗୁଡ଼ିକର ଅନୁପସ୍ଥିତି ସ୍ପଷ୍ଟ ବାରିହୋଇଥିଲା ।


 

ସ୍ଥୁଳ ବିଶ୍ଳେଷଣରେ ପ୍ରଥମତଃ, ମହାମାରୀଜନିତ ମାନ୍ଦାବସ୍ଥା ଏବଂ ଏହାର ଦୀର୍ଘସ୍ଥାୟୀ ପ୍ରଭାବକୁ ଲକ୍ଷ୍ୟରଖି ପାରମ୍ପରିକ ବିଜ୍ଞାପକଙ୍କ ତାଲିକାରେ ପ୍ରଥମସ୍ଥାନ ଅଧିକାର କରୁଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଚ଼ତୁର୍ଥ ସ୍ଥାନର ଖୁଚୁରା ବ୍ୟବସାୟ ଏବଂ ଷଷ୍ଠସ୍ଥାନର ପୋଷାକ, ଗହଣା, ଫେସନ ବିଜ୍ଞାପନ ବ୍ୟୟ ସଂକୁଚ଼ିତ କରିବା ହୁଏତ ଆରମ୍ଭ କରିସାରିଲେଣି । ପଞ୍ଚମ ସ୍ଥାନରେ ଥିବା ନିର୍ମାଣ ଉଦ୍ୟୋଗରେ ନିବେଶ ସ୍ଥାଣୁ ପଡ଼ିଆସିବା ହେତୁ ବିଜ୍ଞାପନ ବ୍ୟୟ ବନ୍ଦ ହୋଇପଡ଼ିଛି ।


 

ଦ୍ୱିତୀୟତଃ, ବିଜ୍ଞାପନ ପ୍ରଦର୍ଶନରେ ତୃତୀୟ ସ୍ଥାନ ଅଧିକାର କରୁଥିବା ଶିକ୍ଷାର ପାରମ୍ପରିକ ଶୈଳୀ କ୍ରମଶଃ ଡ଼ିଜିଟାଲ ଶୈଳୀରେ ରୂପାନ୍ତରିତ ହେଉଥିବା ହେତୁ ତତ୍ ସଂପର୍କୀତ ବିଜ୍ଞାପନ ପ୍ରଦର୍ଶନ ଗଣମାଧ୍ୟମର ଡିଜିଟାଲ ମଞ୍ଚ ମୁହାଁ ହୋଇଛି । ମହାମାରୀରେ ଇ-କମର୍ସ ବ୍ୟାପକ ଗ୍ରାମାଞ୍ଚଳ ଉପଭୋକ୍ତା ସୃଷ୍ଟି ହୋଇଥିବା କାରଣରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଖୁଚୁରା ବ୍ୟବସାୟ ଏବଂ ପୋଷାକ, ଗହଣା, ଫ୍ୟାସନ ବିଜ୍ଞାପନ ମଧ୍ୟ ଡିଜିଟାଲ ମଞ୍ଚକୁ ଉପଯୁକ୍ତ ମାଧ୍ୟମ ବିଚାର ଆରମ୍ଭ କରିସାରିଲେଣି ବୋଲି କୁହାଯାଇପାରେ ।


 

ତୃତୀୟତଃ, ଡ଼ିଜିଟାଲ କ୍ରୀଡ଼ା, ଡ଼ିଜିଟାଲ ଶିକ୍ଷା, ଇ-କମର୍ସ ଭଳି ବିଜ୍ଞାପକମାନେ ଡ଼ିଜିଟାଲ ମଞ୍ଚରେ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରୁ ନିଜ ନିଜ ଉପଭୋକ୍ତା ଖୋଜିବାହାର କରିବା ସଂଭବପର ଥିବା ହେତୁ ପାରମ୍ପରିକ ଗଣମାଧ୍ୟମ ମଞ୍ଚରେ ବିଜ୍ଞାପନ ପ୍ରଦର୍ଶନରୁ କ୍ରମଶଃ ଓହରି ଯିବା ଆକଳନ କରାଯାଇପାରେ । ସାମୟିକଭାବେ ନିଜର ବ୍ରାଣ୍ଡ ପ୍ରତିଷ୍ଠା ନିମନ୍ତେ ପାରମ୍ପରିକ ଗଣମାଧ୍ୟମରେ ବିଜ୍ଞାପନ ପ୍ରଦର୍ଶନ ସୀମିତ ରହିପାରେ ।


 

ମୋଟଉପରେ ଆଇପିଏଲ ୨୦୨୦ରେ ବିଜ୍ଞାପନ ବ୍ୟୟ ଭାରତରେ ସମ୍ଭାବ୍ୟ ବିଜ୍ଞାପନ ପରିବେଶର ପ୍ରାକ-ସୂଚ଼ନା ପ୍ରଦାନ କରିଥାଏ ବୋଲି ଗଣମାଧ୍ୟମ ବିଶ୍ଳେଷକ ବିଚ଼ାର କରିଥିଲେ । ‘ଇଣ୍ଡିଆ ରେଟିଂ ଏଣ୍ଡ ରିସର୍ଚ୍ଚ’ ପକ୍ଷରୁ ‘ଫଡ଼େରେସନ ଅଫ ଚେମ୍ୱର ଅଫ କମର୍ସ ଏଣ୍ଡ ଇଣ୍ଡାଷ୍ଟ୍ରୀ’ର ୨୦୨୦ ବିବରଣୀରେ ମୁଦ୍ରଣ ଗଣମାଧ୍ୟମ ମଞ୍ଚଗୁଡ଼ିକ ୨୦୨୦-୨୧ ଆର୍ଥିକ ବର୍ଷରେ ଏକ ଚ଼ତୁର୍ଥାଂଶ ଆୟ ହରାଇବା ପୂର୍ବାନୁମାନ କରାଯାଇଥିଲା । ପ୍ରଥମ ତ୍ରୟମାସିକ ହିସାବ ମାର୍ଚ୍ଚ ଠାରୁ ଜୁନ ୨୦୨୦ ମଧ୍ୟରେ ଲକଡ଼ାଉନ ପ୍ରଭାବରେ ପୂର୍ବବର୍ଷ ତୁଳନାରେ ଆୟ ଦୁଇ ତୃତୀୟାଂଶ କମି ଯାଇଥିଲା । ବୃହତ ପ୍ରକାଶନ ସଂସ୍ଥାଗୁଡ଼ିକର ୭୬ ପ୍ରତିଶତ ବିଜ୍ଞାପନ ଓ ୩୨ ପ୍ରତିଶତ ପ୍ରସାର ଆୟରେ କ୍ଷତି ସାମଗ୍ରୀକଭାବେ ବାର୍ଷିକ ଲାଭକୁ ପ୍ରଭାବିତ କରିବା ଆଶଙ୍କା କରାଯାଇଥିଲା । ଅବଶ୍ୟ ଭାରତୀୟ ଭାଷାଗୁଡ଼ିକ ତୁଳନାରେ ଇଂଲିଶ ଭାଷାରେ ଏହି ମାନ୍ଦାବସ୍ଥାର ପ୍ରାଦୁର୍ଭାବ ମାତ୍ରାଧିକ । ବିଶାରଦମାନଙ୍କ ମତରେ ୨୦୨୧-୨୨ ଆର୍ଥିକ ବର୍ଷରେ ମୁଦ୍ରଣ ଗଣମାଧ୍ୟମର ଆୟରେ ସାମାନ୍ୟ ସୁଧାର ଆଶା କରାଯାଇଥିଲା ।


 

ସମସାମୟିକ ବ୍ୟାବସାୟିକ ପରିଧିରେ ଡ଼ିଜିଟାଲ ମଞ୍ଚଗୁଡ଼ିକର ଗୁରୁତ୍ୱ ବୃଦ୍ଧି, ଏପରିକି ସ୍ଥଳବିଶେଷରେ ଶୀର୍ଷସ୍ଥାନ ଅଧିକାର ସଂପର୍କୀତ ତଥ୍ୟାବଳୀ ପଚାଶ ବର୍ଷୋତ୍ତର ପିଢ଼ିଙ୍କ ପକ୍ଷେ ଅବିଶ୍ୱାସନୀୟ ମନେ ହୋଇପାରେ । ବିଡ଼ମ୍ୱନାର ବିଷୟ ପାରମ୍ପରିକ ଗଣମାଧ୍ୟମ ମଞ୍ଚ ଗୁଡ଼ିକର ନୀତି ନିର୍ଦ୍ଧାରକମାନଙ୍କ ମଧ୍ୟରୁ ଅଧିକାଂଶ ସେହି ବୟସସୀମାରେ ଉପନୀତ ! ଏକ ଫଣ୍ଟାସି ଗେମିଂ ଆପ୍ଲିକେସନ ପ୍ରମୁଖ ବିଜ୍ଞାପକଙ୍କ ମଧ୍ୟରେ ସର୍ବାଗ୍ରେ ସ୍ଥାନିତ ହେବା ଉଦାହରଣ ଉଭୟ ଗଣମାଧ୍ୟମ ମଞ୍ଚଗୁଡ଼ିକର ଆଙ୍ଗିକ ଓ ଆତ୍ମୀକ ନୀତିନିର୍ଦ୍ଧାରଣରେ ସୁଦୂରପ୍ରସାରୀ ପରିବର୍ତ୍ତନ ଆବଶ୍ୟକତାର ଆଭାସ ପ୍ରଦାନ କରିଥାଏ । ଏହି ପରିପ୍ରେକ୍ଷୀରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ମଧ୍ୟରୁ ଅନେକ ବିଜ୍ଞାପନ ପ୍ରଦର୍ଶନ ନିମନ୍ତେ ନିକଟ ଭବିଷ୍ୟତରେ ଅନୁପଯୁକ୍ତ ବିବେଚ଼ିତ ହେବା ସମ୍ଭାବନାକୁ ଏଡାଇ ଦେଇ ହେଉ ନାହିଁ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅକ୍ଟୋବର ୨୦୨୦


ତଥ୍ୟ:



Pinto, Viveat Susan. 1 in 3 viewers watched IPL, says BARC. Business Standard (Bhubaneswar Edition). October 2, 2020.


 

Mampatta, Sachin P. Print media revenue likely to decline by a fourth this year. Business Standard (Bhubaneswar Edition). September 19, 2020.


 

Malvania, Urvi. IPL 2020 : Disney + Hotstar nets 13 sponsors. ET Brand Equity. September 15, 2020 



<https://brandequity.economictimes.indiatimes.com/news/marketing/ipl-2020-disneyhotstar-nets-13-sponsors/78118384>

ପାର୍ବଣ ଋତୁରେ ଟେଲିଭିଜନ ବିଜ୍ଞାପନ ୨୦୨୦

ଶାରଦୀୟ ପାର୍ବଣ ଋତୁ ୨୦୨୦ ଅବସରରେ ଟେଲିଭିଜନ, ମୁଦ୍ରଣ ଓ ଅନ୍ୟାନ୍ୟ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବିଜ୍ଞାପନ ପ୍ରଦର୍ଶନ ପରିମାଣ ବୃଦ୍ଧିପାଇଥିବା ଏକ ଉତ୍ସାହପ୍ରଦ ସମ୍ୱାଦ । ବ୍ରଡ଼କାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ ‘ବାର୍କ’ର ହିସାବ ଅନୁଯାୟୀ ଅକ୍ଟୋବର ଶେଷ ସପ୍ତାହରେ ଟେଲିଭିଜନରେ ବିଜ୍ଞାପନ ପରିମାଣ ବିଗତ ପାଞ୍ଚ ବର୍ଷର ହିସାବରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା । ଅତୀତରେ ୨୦୧୫ରେ ସାପ୍ତାହିକଭିତ୍ତିରେ ୩ କୋଟି ୮୭ ଲକ୍ଷ ସେକେଣ୍ଡ ଟେଲିଭିଜନ ବିଜ୍ଞାପନ ପ୍ରଦର୍ଶିତ ହୋଇଥିବା ସ୍ଥଳେ ୨୦୨୦ ଅକ୍ଟୋବର ୨୪ ରୁ ୩୦ ତାରିଖ ସପ୍ତାହରେ ୩ କୋଟି ୭୯ ଲକ୍ଷ ସେକେଣ୍ଡ ଗଣତି କରାଯାଇଥିଲା ।


 

‘କୋଭିଡ଼-୧୯’ ସଂକ୍ରମଣ ରୋକିବା ଉଦ୍ୟମରେ ମାର୍ଚ୍ଚ ଶେଷ ସପ୍ତାହରୁ ଛଅମାସ ଧରି ଦେଶବ୍ୟାପୀ ବିଭିନ୍ନ ସ୍ତରର ଲକଡ଼ାଉନରେ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ଅକ୍ଟୋବର ମାସରୁ ରାଷ୍ଟ୍ରୀୟ ଅନଲକ ୬.୦ କାର୍ଯ୍ୟକ୍ରମରେ ପ୍ରାୟ ସମସ୍ତ ବୃତ୍ତି ବ୍ୟବସାୟ ଖୋଲିବା ନିମନ୍ତେ ଅନୁମତି ପ୍ରଦାନପରେ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକ ପରିସ୍ଥିତି ସଜାଡ଼ିବା ନିମନ୍ତେ ପୂର୍ଣ୍ଣପ୍ରାଣରେ ଉଦ୍ୟମ ଆରମ୍ଭ କରିଦେଇଥିଲେ । ବ୍ରାଣ୍ଡ ଓ ବିଜ୍ଞାପକମାନ ଅନ୍ତଃତପକ୍ଷେ ନିଜସ୍ୱ ଉପସ୍ଥିତି ଜାହିର କରିବା ନିମନ୍ତେ ବିଜ୍ଞାପନ ପ୍ରକାଶନର ସାହାରା ନେଇଥିବା ପରିଲକ୍ଷିତ ।


 

‘ବାର୍କ’ର ସାପ୍ତାହିକ ବିବରଣୀରେ ଇ-କମର୍ସ ମଞ୍ଚ ଆମେଜନ ବିଜ୍ଞାପନ ପ୍ରଦର୍ଶନରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ସ୍ଥଳେ ଆଣ୍ଟିସେପ୍ଟିକ ଡ଼େଟଲ ଓ ଡ଼ିଟେରଜେଣ୍ଟ ସର୍ଫ ଏକ୍ସଲ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ହିନ୍ଦୁସ୍ଥାନ ଲିଭର, ରେକିଟ ବେନସିକିସର ଓ ଆଇଟିସି କ୍ରମାନ୍ୱୟରେ ଶୀର୍ଷ ତିନି ବିଜ୍ଞାପକ ବିବେଚ଼ିତ । ଚଳିତ ବର୍ଷ ଡିଜିଟାଲ କମ୍ପାନୀ, ଗେମିଂ ଆପ୍ଳିକେସନ୍ସ, ଏଡୁଟେକ ଓ କୋଡ଼ିଂ କମ୍ପାନୀ ପ୍ରଥମ ଥର ପାଇଁ ବହୁଳ ବିଜ୍ଞପିତ ହୋଇଥିଲେ ।


 

ଭାରତୀୟ ଟେଲିଭିଜନରେ ଶାରଦୀୟ ପାର୍ବଣ ଋତୁରେ ଇଣ୍ଡିଆନ ପ୍ରିମିୟର ଲିଗ, ବିଗବସ ଓ କୌନ ବନେଗା କରୋଡ଼ପତି ଭଳି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିବା ହେତୁ ଅଧିକ ପରିମାଣର ବିଜ୍ଞାପନ ଆକୃଷ୍ଟ କରିଥିବା ଅନ୍ୟତମ କାରଣ ରୂପେ ଚ଼ିହ୍ନଟ କରାଯାଇଥିଲା । ତେବେ ସମୀକ୍ଷକମାନଙ୍କ ମତରେ ଲକଡ଼ାଉନ ପରବର୍ତ୍ତୀ ଅବସ୍ଥାରେ ବିଜ୍ଞାପନ ଦରରେ ରିହାତି ପ୍ରଦାନ ହେତୁ ପ୍ରଦର୍ଶିତ ବିଜ୍ଞାପନର ପରିମାଣ ବୃଦ୍ଧି ପାଇଥିଲେ ମଧ୍ୟ ପ୍ରକୃତରେ ବିଜ୍ଞାପନ ରାଜସ୍ୱ ସମାନୁପାତିକଭାବେ ବୃଦ୍ଧି ପାଇପାରି ନଥିଲା ।


 

ମହାମାରୀଜନିତ ଲକଡ଼ାଉନ-ପର ଅବସ୍ଥାରେ ଭାରତରେ ବିଜ୍ଞାପନ ବ୍ୟୟ କ୍ରମଶଃ ବୃଦ୍ଧି ପାଇଚାଲିଥିଲା । ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ କ୍ରିକେଟ ଟେଲିଭିଜନ ପ୍ରସାରଣ ଅବସରରେ ବିଜ୍ଞାପନ ପ୍ରଦର୍ଶନରେ ବ୍ୟାବସାୟିକ ସଫଳତା ଅନେକଙ୍କୁ ବିସ୍ମିତ କରିଥିଲା । ଡିସନି-ଷ୍ଟାର ଗୃପ ପକ୍ଷରୁ ଷ୍ଟାର ସ୍ପୋର୍ଟସ ଆଇପିଏଲ ପ୍ରସାରଣ ଭାର ଗ୍ରହଣ କରିବାପରେ ଖେଳ ଆରମ୍ଭ ହେବା ପୂର୍ବରୁ ହିଁ ସମସ୍ତ ବିଜ୍ଞାପନ ସ୍ପଟ ବିକ୍ରୀ କରିସାରିଥିଲା । ସାଧାରଣତଃ ଫାଇନାଲ ମ୍ୟାଚ଼ ପାଇଁ ପାଞ୍ଚରୁ ସାତ ପ୍ରତିଶତ ବିଜ୍ଞାପନ ଶେଷ ମୂହୁର୍ତ୍ତରେ ବିକ୍ରି ହୋଇଥାଏ । କିନ୍ତୁ ନଭେମ୍ୱର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ଫାଇନାଲ ମ୍ୟାଚ଼ ବେଳକୁ ବଳକା ସ୍ପଟ ନଥିଲା ।


 

ସମୀକ୍ଷକମାନଙ୍କ ମତରେ ମହାମାରୀ ହେତୁ ପରିବର୍ତ୍ତିତ ସମୟ ସାରଣୀରେ ଆଇପିଏଲ ୨୦୨୦ ଶାରଦୀୟ ପାର୍ବଣ ଋତୁ ଓ ଲକଡ଼ାଉନ ପରବର୍ତ୍ତୀ ଅବସ୍ଥାରେ ଅନୁଷ୍ଠିତ ହେବା ହେତୁ ବିଜ୍ଞାପକମାନଙ୍କୁ ବ୍ୟାପକ ମାତ୍ରାରେ ଆକୃଷ୍ଟ କରିଥିଲା । ଆଇପିଏଲ ଆୟୋଜନ ନେଇ ଅନିଶ୍ଚିତତା, ବିଦେଶରେ ଖେଳ ଏବଂ ସର୍ବୋପରି ଦର୍ଶକବିହୀନ ପରିବେଶ ଟେଲିଭିଜନ ପ୍ରସାରଣରେ ଉଭୟ ବିଜ୍ଞାପନ ଓ ସିଧାପ୍ରସାରଣର ଦର୍ଶକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଆଶଙ୍କା କରାଯାଉଥିଲା । ତେବେ ବାସ୍ତବ କ୍ଷେତ୍ରରେ ଉଭୟ ଭୂଲ ପ୍ରମାଣିତ ହେଲା । ଷ୍ଟାର ସ୍ପୋର୍ଟସ ପକ୍ଷରୁ ବିଜ୍ଞାପନ ଦର ୨୦୧୯ ତୁଳନାରେ ୨୦୨୦ରେ ୨୫ ରୁ ୩୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ପ୍ରତ୍ୟେକ ୧୦ ମିନଟର ଟେଲିଭିଜନ ବିଜ୍ଞାପନ ସ୍ପଟ ପାଇଁ ୧୨ ରୁ ୧୩ ଲକ୍ଷ ଟଙ୍କା ଦର ଧାର୍ଯ୍ୟ ହୋଇଥିଲେ ହେଁ ଖେଳ ଆରମ୍ଭ ହେବା ପୂର୍ବରୁ ସବୁତକ ବିକ୍ରୀ ହୋଇ ଯାଇଥିଲା ।


 

ଆଇପିଏଲ ୨୦୨୦ ପାଇଁ ଷ୍ଟାରସ୍ପୋର୍ଟ ସହ ୧୩ ଗୋଟି ପ୍ରାୟୋଜକଙ୍କ ସହ ସର୍ବମୋଟ ୧୧୦ ଗୋଟି ବିଜ୍ଞାପକ ଟେଲିଭିଜନରେ ବିଜ୍ଞାପନ ପ୍ରସାରଣ କରିଥିଲେ । ଏମାନଙ୍କ ମଧ୍ୟରେ ପାରମ୍ପରିକ ବିଜ୍ଞାପକଙ୍କ ସହ ଡିଜିଟାଲ ବିଜ୍ଞାପକମାନେ ମଧ୍ୟ ସାମିଲ ହୋଇଥିଲେ । ଟେଲିଭିଜନରେ କ୍ରିକେଟ ମ୍ୟାଚଗୁଡ଼ିକର ସିଧା ପ୍ରସାରଣ ହାରାହାରି ୨୦୧୯ରେ ନଅ କୋଟି ୮୦ ଲକ୍ଷ ଦର୍ଶକ ଉପଭୋଗ କରିଥିବା ସ୍ଥଳେ ୨୦୨୦ରେ ଦର୍ଶକ ସଂଖ୍ୟା ଦଶ କୋଟି ୮୦ ଲକ୍ଷକୁ ବୃଦ୍ଧି ପାଇଥିବା ଜଣାଯାଇଥିଲା । ଆଇପିଏଲ ଆୟୋଜକ ପକ୍ଷରୁ ପ୍ରଥମ ମ୍ୟାଚ଼ ୨୦ କୋଟି ଟେଲିଭିଜନ ଦର୍ଶକ ଉପଭୋଗ କରିଥିବା ଦାବୀ କରାଯାଇଥିଲା ।


 

ଭାରତରେ ଟେଲିଭିଜନ ପ୍ରସାରଣରେ ବିଜ୍ଞାପନ ବ୍ୟୟ ମହାମାରୀ ପୂର୍ବାବସ୍ଥାରୁ ସର୍ବାଧିକ ସ୍ତରରେ ପହଞ୍ଚିଥିଲା ଏବଂ ମହାମାରୀରେ ମଧ୍ୟ ସ୍ଥିତାବସ୍ଥା ବଜାୟ ରହିଥିଲା । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ଇଣ୍ଟରନେଟ ଓ ମୋବାଇଲ ଆପ୍ଲିକେସନ ପ୍ରସାର ଟେଲିଭିଜନ ପ୍ରସାରଣକୁ ଡିଜିଟାଲ ମୁହାଁ କରାଇଥିବା ସ୍ଥଳେ ଏହା ଉଭୟ ମଞ୍ଚର ବୈଶିଷ୍ଟ୍ୟାବଳୀରେ ସମୃଦ୍ଧ ହୋଇପାରିଛି । ମିଳିତ ମଞ୍ଚର ଦର୍ଶକ ସଂଖ୍ୟା ବଢ଼ି ଚାଲିଥିବା ହେତୁ ବିଜ୍ଞାପନ ବ୍ୟୟ ଟେଲିଭିଜନ ମଞ୍ଚକୁ ସର୍ବାଗ୍ରେ ସ୍ଥାନିତ କରୁଛି ।


 

ଦେଶରେ ଟେଲିଭିଜନରେ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ସିଧା ପ୍ରସାରଣ ଲୋକପ୍ରିୟ ରହିଆସିଛି । ତେବେ ଆଇପିଏଲ ୨୦୨୦ ଦର୍ଶକ ଗଣତିରେ ପ୍ରାୟ ବାର ପ୍ରତିଶତ ଏକ କୋଟି ଦର୍ଶକ ସଂଖ୍ୟା ବୃଦ୍ଧି ଟେଲିଭିଜନ ପ୍ରସାରଣର ଭବିଷ୍ୟତ ରୂପରେଖରେ ପରିବର୍ତ୍ତନର ଆଭାସ ପ୍ରଦାନ କରିଥାଏ  । ଭିଡ଼ିଓ ଅନ ଡ଼ିମାଣ୍ଡ ଏବଂ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଭଳି କାରିଗରୀ କୌଶଳ ଉପଯୋଗରେ ପ୍ରତ୍ୟେକ ଦର୍ଶକଙ୍କ ରୁଚ଼ି ଅନୁଯାୟୀ କାର୍ଯ୍ୟକ୍ରମ ପ୍ରଯୋଜନା ଓ ପ୍ରସାରଣ ଭଳି ସେବା ଟେଲିଭିଜନ ମଞ୍ଚକୁ ସୂଚନା, ସମ୍ୱାଦ ଓ ମନୋରଞ୍ଜନର ଅପ୍ରତିଦ୍ୱନ୍ଦୀ ମାଧ୍ୟମ ରୂପେ ଗଢିତୋଳିବା ଆଶା କରାଯାଇପାରେ । ଫଳତଃ ବିଜ୍ଞାପନ ଆୟ କ୍ଷେତ୍ରରେ ଆଗୁଆ ରହିବା ସ୍ୱାଭାବିକ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୩ ନଭେମ୍ୱର ୨୦୨୦


ତଥ୍ୟ:


 

Pinto, Viveat Susan. TV ad volumes highest in 5 years : BARC India. Business Standard (Bhubaneswar Edition). November 6, 2020.


 

Pinto, Viveat Susan. IPL final on a strong wicket with advertisers. Business Standard  (Bhubaneswar Edition). November 10, 2020.

ଆଶଙ୍କାରେ ମୁଦ୍ରିତ ସମ୍ୱାଦପତ୍ର ବିଜ୍ଞାପନ ଆୟ

ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ମହାମାରୀ-ପର ପରିବେଶରେ ଦୁଇଗୋଟି ସମସ୍ୟା ଉଦବେଗର କାରଣ । ପ୍ରଥମତଃ, କ୍ରମବିକଶିତ ଡିଜିଟାଲ ସମ୍ୱାଦ ମଞ୍ଚ ମୁଦ୍ରିତ ସମ୍ୱାଦପତ୍ରର ସ୍ଥିତାବସ୍ଥାକୁ କେତେ ମାତ୍ରାରେ ପ୍ରଭାବିତ କରିବ ଏବଂ ଦ୍ୱିତୀୟତଃ, ବିଜ୍ଞାପନ-ଆଶ୍ରିତ ମଡ଼େଲ ଭବିଷ୍ୟତରେ ବ୍ୟାବସାୟିକ ସନ୍ତୁଳନ ରକ୍ଷା କରିପାରିବ କି ? ଏହି ଦୁଇଗୋଟି ପ୍ରଶ୍ନର ଉତ୍ତର ଦେଶରେ ପ୍ରକାଶିତ ସମସ୍ତ ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ସମାନ ନହେଲେ ମଧ୍ୟ ସାମଗ୍ରିକ ପ୍ରଭାବ ଗୁରୁତ୍ୱପୂର୍ଣ୍ଣ ।


 

ଗଣମାଧ୍ୟମରେ ଡ଼ିଜିଟାଲ ବୈଷୟିକ କୌଶଳ ପ୍ରଚଳନରେ ମୁଦ୍ରିତ ସମ୍ୱାଦପତ୍ର ପହଞ୍ଚ ‘ଏସେସ’, ବିବିଧତା ‘ଭେରାଇଟି’ ଓ ରୁଚ଼ି ‘ଫୋକସ’ କ୍ଷେତ୍ରରେ ଡିଜିଟାଲ ସମ୍ୱାଦ ମଞ୍ଚର ମୁକାବିଲା କରିପାରୁ ନାହିଁ । ଭାରତରେ ୨୦୨୧ ଶେଷ ସୁଦ୍ଧା ୫୦ କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ ହିସାବ କରାଯାଇଥିବା ସ୍ଥଳେ ମୁଦ୍ରଣ ସମ୍ୱାଦପତ୍ରର ପ୍ରଭାତୀ ସଂସ୍କରଣ ଅପେକ୍ଷାରେ ଅନ୍ତ ଘଟିଛି । ବିଂଶ ଶତାଦ୍ଦୀର ନବମ ଦଶକରେ ଟେଲିଭିଜନର ପ୍ରସାର ପରେ ସମ୍ୱାଦ ଉପଭୋକ୍ତାମାନେ ରେଡ଼ିଓ ଓ ଟେଲିଭିଜନରେ ପ୍ରମୁଖ ଘଟଣାର ସୂତ୍ର ପାଇସାରିବା ପରେ ସଂପୂର୍ଣ୍ଣ ବିବରଣୀ ଓ ଅଭିମତ ଜାଣିବାଲାଗି ପରବର୍ତ୍ତୀ ସକାଳ ଯାଏଁ ଅପେକ୍ଷା କରୁଥିଲେ । କିନ୍ତୁ ଡିଜିଟାଲ ମଞ୍ଚ ଘଟଣା ଘଟିବାର ଖୁବ କମ ସମୟ ବ୍ୟବଧାନରେ ସୁବିସ୍ତୃତ ତଥ୍ୟ ଓ ଅଭିମତ ପ୍ରସାରଣର ବ୍ୟବସ୍ଥା କରିପାରିଛି ।


 

ସ୍ମାର୍ଟଫୋନର ବ୍ୟବହାର ଫଳରେ ସମ୍ୱାଦ ଆହରଣ ନିମନ୍ତେ ବିସ୍ତୃତ ଉପଭୋକ୍ତା, ଅସୀମିତ ସମୟ ଓ ଅଡ଼ିଓ-ଭିଡ଼ିଓ ପ୍ରଦର୍ଶନ ସାଙ୍ଗକୁ ସମ୍ୱାଦ ମଞ୍ଚର ପରିମିତି ଓ ବିବିଧତା ବୃଦ୍ଧି ସୁବିଧାସୁଯୋଗ ସୃଷ୍ଟି ହୋଇଛି । ଫଳରେ ସମ୍ୱାଦ ଉପଭୋକ୍ତା ଏକକ ମୁଦ୍ରିତ ସମ୍ୱାଦପତ୍ର ବଦଳରେ ଏକାଧିକ ସମ୍ୱାଦ ମଞ୍ଚରେ ଉପସ୍ଥିତିର ସୁଯୋଗ ପାଉଛନ୍ତି । ସୋସିଆଲ ମିଡ଼ିଆ ବ୍ୟବହାର ବୃଦ୍ଧି ସାଧାରଣ ନାଗରିକଙ୍କୁ ବହୁ ସଂଖ୍ୟକ ସମ୍ୱାଦ ମଞ୍ଚରେ ପହୁଞ୍ଚାଇ ପାରୁଛି । ଏହି ଜଟିଳ ପରିସ୍ଥିତିରେ ମୁଦ୍ରିତ ସମ୍ୱାଦପତ୍ରର ସାମର୍ଥ୍ୟ କ୍ରମଶଃ ମଳିନ ହୋଇପଡୁଥିବା ପ୍ରତୀୟମାନ ହୁଏ ।


 

ଭାରତରେ ଜନସଂଖ୍ୟାର ତିନି ଚ଼ତୁର୍ଥାଂଶ ୪୫ ବର୍ଷରୁ କମ ଏବଂ ଅର୍ଦ୍ଧେକ ୨୪ ବର୍ଷରୁ କମ । ଏହି ଦୁଇବର୍ଗରେ ସ୍ମାର୍ଟଫୋନ ବ୍ୟବହାର ସର୍ବାଧିକ ଥିବା ହେତୁ ମୁଦ୍ରିତ ସମ୍ୱାଦପତ୍ର ବ୍ୟାପକ ପ୍ରତିଯୋଗିତାର ସମ୍ମୁଖୀନ ହେଉଛି । ବିଭିନ୍ନ ଅଧ୍ୟୟନରୁ ଜଣାଯାଏ ଯେ ମୁଦ୍ରିତ ସମ୍ୱାଦପତ୍ର ଗ୍ରାହକ ଏଣିକି ୪୫ ବର୍ଷରୁ ଉର୍ଦ୍ଧ୍ୱ ଶିକ୍ଷିତ ଆର୍ଥିକ ଦିଗରୁ ସ୍ୱଚ୍ଛଳ ବର୍ଗରେ ସୀମିତ ହେବାରେ ଲାଗିଛି ।


 

ଅପରପକ୍ଷେ ମୁଦ୍ରିତ ସମ୍ୱାଦପତ୍ର ଦୀର୍ଘ ଦୁଇ ଶତାଦ୍ଦୀରୁ ଉର୍ଦ୍ଧ୍ୱ ସମୟଧରି ବିଜ୍ଞାପନ-ଆଶ୍ରିତ ମଡ଼େଲରେ ବିକଶିତ ହୋଇ ଆସିଥିବା ସ୍ଥଳେ ଇ-କମର୍ସ ଓ ସୋସିଆଲ ମିଡ଼ିଆର ଲୋକପ୍ରିୟତା ବିଜ୍ଞାପନ ଅପସାରଣରେ ପର୍ଯ୍ୟବସିତ ହୋଇଛି । ଭବିଷ୍ୟତରେ ଇଣ୍ଟରନେଟର ବିସ୍ତୃତି ଓ ବ୍ୟବହାର ବୃଦ୍ଧି ଆକଳନ କରାଯାଉଥିବା ହେତୁ ଏହି ପ୍ରବାହ ଶକ୍ତିଶାଳୀ ହେବା ସୁନିଶ୍ଚିତ । ମହାମାରୀରେ ଦୂରାବସ୍ଥାନ ନୀତି ସାମାଜିକ ଓ ବ୍ୟାବସାୟିକ ଆଚ଼ରଣରେ ଗୁରୁତର ପରିବର୍ତ୍ତନ ସୂତ୍ରପାତ କରାଇଥିଲା ଏବଂ ଭୂତାଣୁ ସଂକ୍ରମଣ ଭୟ ଦୀର୍ଘସ୍ଥାୟୀ ଆକଳନ କରାଯାଉଥିବା ହେତୁ ପାଠକ ଅଭାବରେ ମୁଦ୍ରିତ ସମ୍ୱାଦପତ୍ରର ବିଜ୍ଞାପନ ଆୟ ହ୍ରାସର ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି ।


 

ମହାମାରୀ-ପର ଅବସ୍ଥାରେ ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଅବଧିରେ ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନରେ ବିଜ୍ଞାପନ ଆୟ ବୃଦ୍ଧି ପାଇଥିଲା । କେତେକ ମୁଦ୍ରିତ ସମ୍ୱାଦପତ୍ର ବିଜ୍ଞାପନ ପ୍ରକାଶନ କ୍ଷେତ୍ରରେ ପ୍ରାୟ ଶତ ପ୍ରତିଶତ ଦକ୍ଷତା ହାସଲ କରିଥିବା ଦାବୀ କରିଥିଲେ । ତେବେ ଗଣମାଧ୍ୟମ ସମୀକ୍ଷକମାନେ ଦୁଇଗୋଟି ପ୍ରଶ୍ନର ଉତ୍ତର ଖୋଜିଥାନ୍ତି । ପ୍ରଥମତଃ, ମହାମାରୀ-ପର ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରର ପ୍ରସାର ସଂଖ୍ୟା କେଉଁ ସ୍ତରରେ ପହଞ୍ଚିଛି ? ‘ଇଣ୍ଡିଆନ ରିଡ଼ରସିପ ସର୍ଭେ ୨୦୧୯’ ପରଠାରୁ ଅର୍ଥାତ ମହାମାରୀ ଓ ମହାମାରୀ-ପର ଅବସ୍ଥାରେ ପାଠକ ସର୍ବେକ୍ଷଣ ଆୟୋଜିତ ହୋଇନଥିବା ହେତୁ ନିର୍ଭରଯୋଗ୍ୟ ତଥ୍ୟ ଅଭାବରେ ପାଠକ ସଂଖ୍ୟା କେତେ କାଳ ବିଜ୍ଞାପକମାନେ କାଳ୍ପନିକ ସଂଖ୍ୟାରେ ବିଶ୍ୱାସ ରଖିବେ ?


 

ଦ୍ୱିତୀୟରେ ମହାମାରୀରେ ଗଣମାଧ୍ୟମ ଭଳି ପ୍ରତ୍ୟେକ ଶିଳ୍ପ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ମହାମାରୀ-ପର ଅବସ୍ଥାରେ ସମସ୍ତେ ନିଜକୁ ସଜାଡ଼ିବା ନିମନ୍ତେ ଉଦ୍ୟମରତ । ଏହି ତତ୍ପରତା ସର୍ବସାଧାରଣରେ ପ୍ରକାଶ ନିମନ୍ତେ ସାମଗ୍ରୀ ଉତ୍ପାଦକ ଓ ବିକ୍ରେତାମାନେ ବିଜ୍ଞାପନକୁ ଆୟୁଧ କରୁନାହାନ୍ତି କି ? ତେଣୁ ସାମୟିକ ବିଜ୍ଞାପନ ବ୍ୟୟ ଦୀର୍ଘସ୍ଥାୟୀ ହୋଇପାରିବ କି ? ସାଧାରଣ ବିଚାରରେ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ-ପର ଅବସ୍ଥାରେ ଆର୍ଥିକ ଶୃଙ୍ଖଳ ଦୋହଲିଯାଇଥାଏ । କୋଭିଡ଼-୧୯ ମହାମାରୀ କ’ଣ ଏକ ବ୍ୟତିକ୍ରମ ପ୍ରମାଣିତ ହେବ ? ବିଜ୍ଞାପନ ବ୍ୟୟ କମିଗଲେ ମୁଦ୍ରିତ ସମ୍ୱାଦପତ୍ର ଭାଗରେ କେତେ ପଡ଼ିବ ?


 

ଭାରତରେ ୨୦୨୦ରେ ବିଜ୍ଞାପନ ଆୟ କ୍ଷେତ୍ରରେ ଟେଲିଭିଜନ ସର୍ବୋଚ୍ଚ ସ୍ଥାନରେ ରହିଥିବା ସ୍ଥଳେ ଦ୍ୱିତୀୟରେ ଡିଜିଟାଲ ମଞ୍ଚ ଏବଂ ତୃତୀୟରେ ମୁଦ୍ରିତ ସମ୍ୱାଦପତ୍ରର ସ୍ଥାନ ନିର୍ଦ୍ଧାରିତ ହୋଇଥିଲା । ଟେଲିଭିଜନ ବିଜ୍ଞାପନ ଆୟର ଅର୍ଦ୍ଧେକ ସୀମାରେ ଡିଜିଟାଲ ମଞ୍ଚ ପହଞ୍ଚିଥିଲା । ହିସାବ ଅନୁଯାୟୀ ମାସିକ ଟେଲିଭିଜନ ଦର୍ଶକ ସଂଖ୍ୟା ୮୯ କୋଟି ୨୦ ଲକ୍ଷ, ଡିଜିଟାଲ ମଞ୍ଚ ଉପଭୋକ୍ତା ସଂଖ୍ୟା ୪୬ ଗୋଟି ୮୦ ଲକ୍ଷ ଏବଂ ମୁଦ୍ରିତ ସମ୍ୱାଦପତ୍ର ପାଠକ ସଂଖ୍ୟା ୪୨ କୋଟି ୧୦ ଲକ୍ଷ । ବାର୍ଷିକ ଏକ ଲକ୍ଷ ୩୮ ହଜାର ତିନିଶହ କୋଟି ବିଜ୍ଞାପନ ବ୍ୟବସାୟରେ ପରିବର୍ତ୍ତିତ ପରିବେଶ କାହାଭାଗରେ କେତେ ପଡ଼ିବ ତାହା ସମୟ କହିବ ।


 

ଦେଶରେ ବହୁଳ ପ୍ରସାରିତ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ବ୍ୟାବସାୟିକ ବିଜ୍ଞାପନ ଉପରେ ନିର୍ଭର କରୁଥିବା ସ୍ଥଳେ ଅଳ୍ପ ପ୍ରସାରିତ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ମୁଖ୍ୟ ଆୟ ସରକାରୀ ବିଜ୍ଞାପନ । ଗଣମାଧ୍ୟମ ସମୀକ୍ଷକମାନେ ସରକାର ଓ ରଜନୀତିକ ଦଳଗୁଡ଼ିକ ଡିଜିଟାଲ ମଞ୍ଚରେ ଦର୍ଶକ ସଂଖ୍ୟା ବଢୁଥିବା ହେତୁ କ୍ରମଶଃ ସେହି ଦିଗରେ ବିଜ୍ଞାପନ ପ୍ରକାଶ କରିବା ଆଗ୍ରହ ପ୍ରକାଶ କଲେଣି । ନିକଟ ଭବିଷ୍ୟତରେ ଏହି ଦୃଷ୍ଟିକୋଣ ସଂପ୍ରସାରିତ ହୋଇ ୨୦୨୪ ନିର୍ବାଚନ ପରବର୍ତ୍ତୀ ଅବସ୍ଥାରେ ମୁଦ୍ରିତ ସମ୍ୱାଦପତ୍ର ବିଜ୍ଞାପନ ନୀତି ଅମୂଳଚୂଳ ପରିବର୍ତ୍ତନ ଆଶା କରିବା ନିରାଧାର ନୁହେଁ ।


 

ଓଡ଼ିଶା ଭଳି ରାଜ୍ୟରେ ବହୁ ସଂଖ୍ୟକ ମୁଦ୍ରିତ ସମ୍ୱାଦପତ୍ର ବ୍ୟାବସାୟିକ କିମ୍ୱା ସରକାରୀ ବିଜ୍ଞାପନ ଆୟ ବଦଳରେ ବଦାନ୍ୟତାରେ ସମୃଦ୍ଧ । ମହାମାରୀ-ପର ପରିବେଶରେ ଏହି ମଡ଼େଲରେ ସଂସ୍କାର ଆଣିବା ସମୟ ଉପନୀତ । ସମ୍ୱାଦମଞ୍ଚଗୁଡ଼ିକ ଯଦି ଅଣ-ବ୍ୟବସାୟିକ ପ୍ରତିଷ୍ଠାନ ରୂପେ ଗଢ଼ି ଉଠିବ ଏବଂ କତିପୟଙ୍କ ଦୟା ଉପରେ ନିର୍ଭର ନକରି ବିସ୍ତୃତ ପାଠକ ସମାଜର ଅନୁଦାନରେ ପରିଚାଳିତ ହେବ ତେବେ ଗୁଣାତ୍ମକ ସାମ୍ୱାଦିକତା ନିମନ୍ତେ ପଥ ଉନ୍ମୁକ୍ତ ସମ୍ଭବ ।


 

ବ୍ରିଟେନରେ ରଏଟର୍ସ ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ ପକ୍ଷରୁ ମହାମାରୀ-ପର ଅବସ୍ଥାରେ ୩୩ ଗୋଟି ରାଷ୍ଟ୍ରରେ ସମ୍ୱାଦ ମଞ୍ଚ ପରିଚାଳନା ସଂପର୍କରେ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ଏଥିରୁ ଜଣାଯାଇଥିଲା ଯେ ୨୭ ପ୍ରତିଶତ ସର୍ବେକ୍ଷଣ ଅଂଶଗ୍ରହଣକାରୀ ସମ୍ୱାଦ ସଂସ୍ଥାଗୁଡ଼ିକୁ ସରକାରୀ ସହାୟତାକୁ ସମର୍ଥନ କରିଥିବା ସ୍ଥଳେ ୪୪ ପ୍ରତିଶତ ବିରୋଧ କରିଥିଲେ । ଅବଶ୍ୟ ଭାରତରେ ୫୧ ପ୍ରତିଶତ ସମର୍ଥନ ଏବଂ ୨୮ ପ୍ରତିଶତ ବିରୋଧ କରିଥିବା ଜଣାଯାଇଥିଲା । ସେହିପରି ଆନ୍ତର୍ଜାତିକସ୍ତରରେ ୬୬ ପ୍ରତିଶତ ସମ୍ୱାଦମଞ୍ଚ ପରିଚାଳକ ପ୍ରକାଶନ ବ୍ୟବସାୟରେ ବିଜ୍ଞାପନକୁ ପ୍ରାଧାନ୍ୟ ଦେଉଥିବା ବେଳେ ୭୬ ପ୍ରତିଶତ ଗ୍ରାହକଚାନ୍ଦା ଓ ଅନ୍ୟ ଆୟପ୍ରତି ଗୁରୁତ୍ୱରୋପ କରିଥିଲେ ।


 

ମୁଦ୍ରିତ ସମ୍ୱାଦପତ୍ରର ବିଜ୍ଞାପନ ଆୟ ପ୍ରତିଯୋଗୀ ଡିଜିଟାଲ ସମ୍ୱାଦମଞ୍ଚଗୁଡ଼ିକର ଲୋକପ୍ରିୟତା ବୃଦ୍ଧି କାରଣରୁ ପାଠକ ସଂଖ୍ୟା ହ୍ରାସ ଓ ବିଜ୍ଞାପନ ଅପସାରଣ ହେତୁ ବିଘଟନର ସମ୍ମୁଖୀନ ହୋଇଛି । ଏହି ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକ । ଇଂଲିଶ ସମ୍ୱାଦପତ୍ର କ୍ଷେତ୍ରରେ ଏହି ସମସ୍ୟା ଗୁରୁତର ହୋଇପଡ଼ିଥିବା ସ୍ଥଳେ ‘ଦି ଟାଇମ୍ସ ଅଫ ଇଣ୍ଡିଆ’ର ଭୁବନେଶ୍ୱର ସଂସ୍କରଣ ମୁକାବିଲା ଉଦ୍ୟମର ଏକ ସଫଳ ଉଦାହରଣ । ସମ୍ୱାଦପତ୍ରଟିର କଳେବର ୨୪ ପୃଷ୍ଠାରୁ ୧୦ ପୃଷ୍ଠାକୁ କମି ଆସିଥିବା ସ୍ଥଳେ ପଠନଯୋଗ୍ୟ ସମ୍ୱାଦ ପ୍ରକାଶନର ପରିମାଣ କମି ନାହିଁ । ଏହାହିଁ ଗୁଣାତ୍ମକ ସମ୍ପାଦନାର ନିଦର୍ଶନ । ସେହିପରି ଟାଇମ୍ସ ଦୈନିକ ସଂସ୍କରଣ ମୂଲ୍ୟ ଛଅ ଟଙ୍କା ପ୍ରତିଯୋଗୀ ବହୁଳ ପ୍ରସାରିତ ଓଡ଼ିଆ ସମ୍ୱାଦପତ୍ର ମୂଲ୍ୟଠାରୁ କମ । ଅବଶ୍ୟ ଟାଇମ୍ସ ମଡ଼େଲ ଆଞ୍ଚଳିକ ସମ୍ୱାଦପତ୍ର କ୍ଷେତ୍ରରେ ପ୍ରତିଫଳନ କେତେଦୂର ସମ୍ଭବ ତାହା ଭିନ୍ନ ପ୍ରସଙ୍ଗ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜାନୁୟାରୀ ୨୦୨


ତଥ୍ୟ:


 

Kohli – Khandekar, Vanita. The year of traditional media. Business Standard. (Bhubaneswar Edition). December 31, 2021


 

21 findings from Reuters Institute’s research in 2021 still relevant in 2022.


 

https://reutersinstitute.politics.ox.ac.uk/news/21-findings-reuters-institutes-research-2021-still-relevant-2022

ସରକାରୀ ବିଜ୍ଞାପନର ବିକଳ୍ପ 

କୌଣସି ଭୌଗଳିକ ପରିବେଶରେ ସମ୍ୱାଦ ମଞ୍ଚରେ ଅବ୍ୟବସ୍ଥା ସ୍ଥାନୀୟ ଜନଜୀବନକୁ ପ୍ରଭାବିତ କରିଥାଏ । ସମାଜ ସାମୂହିକ ପ୍ରୟାସର ସମାହାର । ବ୍ୟକ୍ତିଗତ ଜୀବନର ଗୁଣବତ୍ତା ପାରିବାରିକ ଜୀବନ ଉପରେ ନିର୍ଭରଶୀଳ ଏବଂ ଉଭୟ ବ୍ୟକ୍ତିଗତ ଓ ପାରିବାରିକ ଜୀବନ ପାରିପାର୍ଶ୍ୱିକ ପରିବେଶକୁ ନେଇ ଗଢି ଉଠିଥାଏ । ଉଦାହରଣରେ ବ୍ୟକ୍ତିଗତ ଓ ପାରିବାରିକ ସ୍ତରରେ ପରିଚ୍ଛନ୍ନତା ପରେ ବାସଗୃହରକୁ ଘେରି ରହିଥିବା ରାସ୍ତାଘାଟ, ବଜାରହାଟର ପରିଚ୍ଛନ୍ନତା ସ୍ୱାସ୍ଥ୍ୟରକ୍ଷାର ମାନାଙ୍କ ନିର୍ଦ୍ଧାରଣ କରେ । ଉଭୟ ସଂକ୍ରାମକ ଓ ଅଣସଂକ୍ରାମକ ରୋଗର ମୂଳ ସୂତ୍ର ପ୍ରଦୂଷଣ । ସେହିପରି ପରିବାରର ଚ଼ତୁର୍ଦ୍ଦିଗରେ ଘଟୁଥିବା ଘଟଣାବଳୀ ବ୍ୟକ୍ତିଗତ ଓ ପାରିବାରିକ ଜୀବନରେ ନୀତି ନିର୍ଦ୍ଧାରଣରେ ସହାୟକ । ତେଣୁ ସାମାଜିକ ଘଟଣାବଳୀ ଜାଣିବା ଆବଶ୍ୟକ ପଡିଥାଏ । ଆଧୁନିକ ଜୀବନଧାରା ସୁଦୂର ପରିସୀମା ଯାଏଁ ପରିବ୍ୟାପ୍ତ ହେଉଥିବା ହେତୁ ସ୍ଥାନୀୟ ସହ ରାଜ୍ୟ, ରାଷ୍ଟ୍ର ଓ ଆନ୍ତର୍ଜାତିକସ୍ତରରେ ଘଟଣାପ୍ରବାହର ଖବରଅନ୍ତର ଅତ୍ୟାବଶ୍ୟକ ପ୍ରମାଣିତ ।

 

ମାର୍କିନ ଗବେଷଣା ପ୍ରତିଷ୍ଠାନ ‘ପିଉ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ୨୦୧୬ରେ ସେଠାକାର ଜନଜୀବନରେ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକର ପ୍ରଭାବ ସଂପର୍କରେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ତଥ୍ୟ ଅନୁଶୀଳନରୁ ଜଣାଯାଇଥିଲା ଯେ ସ୍ଥାନୀୟ ସମ୍ୱାଦ ଆହରଣ କରୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୫୯ ପ୍ରତିଶତ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ । ଅପରପକ୍ଷେ ସ୍ଥାନୀୟ ସମ୍ୱାଦରୁ ଦୂରେଇ ରହୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ମାତ୍ର ୨୭ ପ୍ରତିଶତ ସାମାଜିକ କାର୍ଯ୍ୟକ୍ରମରେ ଆଗ୍ରହ ପ୍ରକାଶ କରୁଥିଲେ । ସ୍ଥାନୀୟ ସମ୍ୱାଦ ଅବଗତ ନହେଲେ ବ୍ୟକ୍ତି ସାମାଜିକସ୍ତରରେ ସାମର୍ଥ୍ୟହୀନ ଓ ଏକାକୀ ଅନୁଭବ କରିଥାଏ । ଏହି ଗବେଷଣାର ଉପଲବ୍ଧି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଊଣା ଅଧିକେ ପ୍ରଯୁଜ୍ୟ ।

 

କରୋନା-ଭୂତାଣୁ-ଜନିତ ମହାମାରୀ ପରବର୍ତ୍ତୀ ଅବସ୍ଥାରେ ଓଡ଼ିଶା ଭଳି ବିକାଶଶୀଳ ଅର୍ଥନୀତିରେ ଗଣମାଧ୍ୟମର ଭୂମିକା ଅସ୍ପଷ୍ଟ । ଏକପକ୍ଷରେ ମହାମାରୀ ପୂର୍ବବାସ୍ଥାରେ ଡିଜିଟାଲ ମଞ୍ଚର ଭିତ୍ତିଭୂମି ପ୍ରସ୍ତୁତି ସରିଥିଲା ଏବଂ ମହାମାରୀ କାଳରେ ଉପଭୋକ୍ତାଗଣ ଅଭ୍ୟସ୍ତ ହୋଇସାରିଥିଲେ । ମହାମାରୀ-ପର ଅବସ୍ଥାରେ ୨୦୨୩ ସୁଦ୍ଧା ରାଜ୍ୟ ଗଣମାଧ୍ୟମ ଉପତ୍ୟକାରେ ଡିଜିଟାଲ ରୂପାନ୍ତରିକରଣକୁ ଅପେକ୍ଷା କରାଯାଉଛି । ଅପରପକ୍ଷେ ବିଂଶଶତାଦ୍ଦୀର ଅଷ୍ଠମ ଦଶକରୁ ଅଗ୍ରଗଣ୍ୟ ସମ୍ୱାଦପତ୍ରଗୁଡ଼ିକର ବ୍ୟବସାୟ ବିଜ୍ଞାପନ-ଆଶ୍ରିତ ଅର୍ଥନୀତିରେ ସମୃଦ୍ଧ ହୋଇ ଚାଲିଥିବା ଧାରା ମହାମାରୀରେ ଭୁଷୁଡ଼ି ପଡ଼ିଲା । ମହାମାରୀ-ପର ଅବସ୍ଥାରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ବ୍ୟାବସାୟିକ ବିଜ୍ଞାପନ ବ୍ୟୟ ସଂକୁଚିତ ଏବଂ ଡିଜିଟାଲ ମୁହାଁ ହୋଇଥିବା ଅବସରରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚରୁ ଅପସାରଣ ପ୍ରକ୍ରିୟା ବଳବତ୍ତର ରହିଲା ।

 

ମହାମାରୀ ଓ ମହାମାରୀ-ପର ଅବସ୍ଥାରେ ଅଗ୍ରଣୀ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ଅର୍ଥନୀତିକୁ ଓଡ଼ିଶା ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି ସୁହାଇଥିଲା । ସୂଚ଼ନା ଅଧିକାର କର୍ମୀଙ୍କ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ତଥ୍ୟ ଅନୁଯାୟୀ ୨୦୨୦ରୁ ୨୦୨୩, ଅର୍ଥାତ ମହାମାରୀ ଓ ମହାମାରୀ-ପର ଅବସ୍ଥାରେ ଛଅଗୋଟି ଅଗ୍ରଣୀ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରକୁ ସର୍ବାଧିକରୁ ସର୍ବନିମ୍ନ କ୍ରମାନ୍ୱୟରେ ୩୫ କୋଟି, ୨୭ କୋଟି, ୨୫ କୋଟି, ୧୩ କୋଟି, ଛଅ କୋଟି ୫୦ ଲକ୍ଷ ଓ ତିନି କୋଟିର ବିଜ୍ଞାପନ ପ୍ରଦାନ କରାଯାଇଥିଲା । ଏହି ତଥ୍ୟ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗଠାରୁ ସୂଚ଼ନା ଅଧିକାର ଆଇନ ବଳରେ ସଂଗ୍ରହ ହୋଇଥିବା ସୂଚ଼ାଇ ଥିଲେ ।

 

ସ୍ୱାଧୀନୋତ୍ତର ଅବସ୍ଥାରୁ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ର ମହଲରେ ସରକାରୀ ବିଜ୍ଞାପନ ମୂଳ ଆୟ ସୂତ୍ରରୂପେ ଗ୍ରହଣ କରାଯାଇଆସିଛି । ଏତଦ୍ୱାରା ଦୁଇଗୋଟି ମୁଖ୍ୟ ସମସ୍ୟା ଉପୁଜେ । ପ୍ରଥମତଃ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ନୀତି ଶାସକ ରାଜନୀତିକ ଦଳ ପକ୍ଷରୁ ନିର୍ଦ୍ଧାରଣ କରାଯାଏ । ଏହି ନୀତିରେ ସ୍ଥାୟୀତ୍ୱ ନ ରହୁଥିବା ହେତୁ ସମ୍ୱାଦପତ୍ରର ଅର୍ଥନୀତି ସଦାସର୍ବଦା ଦୋଳାୟମାନ ଅବସ୍ଥାରେ କଳାତିପାତ କରେ । ଦ୍ୱିତୀୟତଃ, ସରକାରୀ ବିଜ୍ଞାପନରେ ଅନୁଗୃହୀତ ହେବା ଲାଗି ସମ୍ୱାଦପତ୍ରଗୁଡ଼ିକ ସ୍ଥଳବିଶେଷରେ ପକ୍ଷପାତିତା କାରଣରୁ ଗୁଣାତ୍ମକ ସାମ୍ୱାଦିକତା ଓ ପାଠକୀୟ ଆଦୃତିରୁ ଦୂରେଇ ଯାଆନ୍ତି । ଉଭୟ ଦିଗରୁ ସମ୍ୱାଦପତ୍ର ଶିଳ୍ପ ଦୀର୍ଘକାଳୀନ ଭିତ୍ତିରେ କ୍ଷତିଗ୍ରସ୍ତ ହୋଇଥାଏ ।

 

ସମ୍ୱାଦ ପ୍ରସାରଣ ସହ ବିଜ୍ଞାପନ ବାର୍ତ୍ତା ବିତରଣ ମୌଳିକଭାବେ ଏକ ଅସାଧୁ ମେଣ୍ଟ । ଏତଦ୍ୱାରା ଦ୍ରବ୍ୟ-ମୂଲ୍ୟରେ ଅମେଳ ସାମ୍ୱାଦିକତାର ସ୍ୱାର୍ଥ ପରିପନ୍ଥୀ । ବଜାର ଦରରେ ୨୦୨୩ ସୁଦ୍ଧା ୧୨ ପୃଷ୍ଠାର ଏକ ବ୍ରଡ଼ସିଟ ସମ୍ୱାଦପତ୍ର ମୁଦ୍ରଣ ଖର୍ଚ୍ଚ ୧୫ ଟଙ୍କାରୁ ଉର୍ଦ୍ଧ୍ୱ ପଡୁଥିବା ସ୍ଥଳେ ପ୍ରାୟ ୩୦ ପ୍ରତିଶତ ବିତରଣ କମିଶନ ସହ ଅର୍ଦ୍ଧେକ ମୂଲ୍ୟରେ ଖୁଚୁରା ବିକ୍ରୀ ପରିପ୍ରେକ୍ଷୀରେ ପ୍ରକାଶକଙ୍କୁ ବିଜ୍ଞାପନ ଦ୍ୱାରା ଅନ୍ୟ ଅର୍ଦ୍ଧେକ ଖର୍ଚ୍ଚ ଭରଣା କରିବାକୁ ବାଧ୍ୟ କରିଥାଏ । ଓଡ଼ିଆ ସମେତ ବହୁ ସଂଖ୍ୟକ ଆଞ୍ଚଳିକ ସମ୍ୱାଦପତ୍ର ସରକାରୀ ବିଜ୍ଞାପନ ଆୟ ଯୋଗେ ଉତ୍ପାଦନ ଓ ବିକ୍ରୀମୂଲ୍ୟରେ ସମତୁଲ ରକ୍ଷା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ସରକାରୀ ବିଜ୍ଞାପନ ନୀତି ଓ ନିର୍ଦ୍ଦିଷ୍ଟ ସମ୍ୱାଦପତ୍ର ପ୍ରତି କୃପାର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ ।

 

ସମ୍ୱାଦପତ୍ରର ସଫଳତା ଗୁଣାତ୍ମକ ସାମ୍ୱାଦିକତା ଉପରେ ନିର୍ଭରଶୀଳ । କିନ୍ତୁ ଅଧିକ ପାଠକଙ୍କ ନିକଟରେ ପହଞ୍ଚିବାକୁ ତଥା ଉଭୟ ସରକାରୀ ଓ ବେସରକାରୀ ସୂତ୍ରରୁ ବିଜ୍ଞାପନ ଲାଭ ଉଦ୍ଦେଶ୍ୟରେ ନିମ୍ନମାନର ସାମ୍ୱାଦିକତା ସହ ସାଲିସ କରି ପ୍ରସାର ସଂଖ୍ୟା ବୃଦ୍ଧିରେ ସମ୍ୱାଦପତ୍ରଗୁଡ଼ିକ ବିଗତ ଅର୍ଦ୍ଧ ଶତାଦ୍ଦୀ ଧରି ନିୟୋଜିତ । ଏହି ଅର୍ଥନୀତି ଯେ ଚିରନ୍ତନ ତାହା ଭାବିବା ଭୂଲ । କଥା ହେଲା, ପ୍ରଚଳିତ ଧାରାରେ ପରିବର୍ତ୍ତନକୁ ଅଗ୍ରାଧୀକାର ଦିଆଯାଏନା । ସାମାନ୍ୟ ସଂଖ୍ୟକ ସମ୍ୱାଦପତ୍ର ଏ ଦିଗରେ ଅବଶ୍ୟ ଉଦ୍ୟମ କରିଛନ୍ତି, କିନ୍ତୁ ବିଭିନ୍ନ କାରଣରୁ ସଫଳକାମୀ ହୋଇପାରିନାହାନ୍ତି । ଅନ୍ତତଃପକ୍ଷେ ନୂତନଭାବେ ପ୍ରକାଶିତ ସମ୍ୱାଦପତ୍ରଗୁଡିକ ବିକଳ୍ପ ପ୍ରକାଶନ ନୀତିରେ ବିଶ୍ୱାସ କରିବା କଥା । କିନ୍ତୁ ଚିରାଚ଼ରିତ ଢାଞ୍ଚାରେ ସଫଳତା ଆଶା କରି ସରକାରୀ ବିଜ୍ଞାପନ ଲାଗି ଦୀର୍ଘ ପ୍ରତୀକ୍ଷାରେ ଅଟକି ରହୁଥିବା କ୍ଷୋଭର ବିଷୟ ।

 

ମହାମାରୀ-ପର ଅବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତିରେ ବିଜ୍ଞାପନ ପ୍ରକାଶନରୁ ବାଦ ପଡୁଥିବା କେତେଗୋଟି ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରର ଦୁର୍ଦ୍ଦଶା ୨୦୨୩ ସେପ୍ଟେମ୍ୱରରେ ପ୍ରକାଶନ ପ୍ରାଙ୍ଗଣ ଡ଼େଇଁ ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସମ୍ୱାଦ ଉପଭୋକ୍ତା କ୍ରମଶଃ ଡିଜିଟାଲ ମଞ୍ଚମୁହାଁ ହେଉଥିବା ହେତୁ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ନୀତିରେ ସଂଶୋଧନ କରାଯାଇଥିବା କୁହାଯାଏ । ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଅନୁଯାୟୀ ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକରେ ବ୍ୟୟ କେନ୍ଦ୍ର ସରକାର ୨୦୧୮ରେ ୧୪ ପ୍ରତିଶତ, ୨୦୧୯ରେ ୩୫ ପ୍ରତିଶତ, ୨୦୨୦ରେ ୪୦ ପ୍ରତିଶତ ଏବଂ ୨୦୨୧ରେ ୨୩ ପ୍ରତିଶତ କାଟଛାଟ କରିଥିଲେ । କେନ୍ଦ୍ର ସରକାରଙ୍କ ବିଜ୍ଞାପନ ନୀତି ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ମଧ୍ୟ ପ୍ରତିଫଳିତ ହୋଇଥିଲା ।

 

ମହାମାରୀ କାଳରେ ଅର୍ଦ୍ଧାଧିକ ଗ୍ରାହକ ହରାଇଥିବା ସମ୍ୱାଦପତ୍ରଗୁଡ଼ିକ ମହାମାରୀ-ପର ଅବସ୍ଥାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତିରେ ଭାରାକ୍ରାନ୍ତ । ବିକଶିତ ରାଷ୍ଟ୍ରଗୁଡ଼ିକରେ ମହାମାରୀରେ କ୍ଷତିଗ୍ରସ୍ତ ସମ୍ୱାଦ ମଞ୍ଚଗୁଡିକୁ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକର ଟିକସ ବୋଝ ହାଲୁକା କରିବା ତଥା ନିଯୁକ୍ତ ସାମ୍ୱାଦିକମାନଙ୍କ ଦରମା ଦେବା ଭଳି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆମ ଦେଶରେ ସରକାରଙ୍କ ବାର୍ତ୍ତା ଜନସାଧାରଣରେ ପହୁଞ୍ଚାଇବା ଲାଗି ବିଜ୍ଞାପନ ବିତରଣ ପରୋକ୍ଷରେ ସମ୍ୱାଦପତ୍ର ଭାବମୂର୍ତ୍ତୀ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ଅନୁମାନ କରାଯାଏ । କ୍ରମବର୍ଦ୍ଧିଷ୍ଣୁ ସମ୍ୱାଦପତ୍ର ବିମୁଖ ପରିବେଶ ସୃଷ୍ଟି ଏହାର ଏକ ଉଦାହରଣ ।

 

ମୁଦ୍ରିତ ସମ୍ୱାଦପତ୍ର ଓ ଡ଼ିଜିଟାଲ ସମ୍ୱାଦ ମଞ୍ଚର ଗୁଣବତ୍ତା ବିକାଶ ଦ୍ୱାରା ହିଁ ଦୀର୍ଘକାଳୀନ ଭିତ୍ତିରେ ସାମ୍ୱାଦିକତାର ଅଭିବୃଦ୍ଧି ସଂଭବ । ପ୍ରଥମତଃ, ସାମ୍ୱାଦିକତାର ବିକାଶକଳ୍ପେ ପ୍ରେସ ଇସ୍ତାହାରଭିତ୍ତିକ ସମ୍ୱାଦ ପ୍ରକାଶନ ବଦଳରେ ମୌଳିକ ସୃଜନକୁ ଅଗ୍ରାଧିକାର ଦିଆଯିବା ଉଚ଼ିତ । ଦ୍ୱିତୀୟତଃ, ସର୍ଜନଶୀଳତା ଅଭାବରେ ସାମ୍ୱାଦିକତାକୁ ଏକ ବୃତ୍ତି କିମ୍ୱା ଆକର୍ଷଣ ‘ପ୍ରଫେସନ ଅର ଗ୍ଳାମର’ ହିସାବରେ ଗ୍ରହଣ କରାଯାଇପାରେନା । ସାମ୍ୱାଦିକତା ସର୍ଜନଶୀଳ ପ୍ରତିଭା ଖୋଜେ । ତୃତୀୟତଃ, ଓଡ଼ିଆ ଗଣମାଧ୍ୟମରେ ବିଚ୍ଛୁରିତ ଗଣମାଧ୍ୟମ ମଞ୍ଚଗୁଡ଼ିକର ଏକତ୍ରୀକରଣ ‘କନସୋଲିଡ଼େସନ’ ଅନିର୍ବାଯ୍ୟ ।

 

ଏହି ନୀତିଗୁଡ଼ିକ କାର୍ଯ୍ୟକାରୀ ହୋଇପାରିଲେ ସମ୍ୱାଦକୁ ବିକ୍ରୀଯୋଗ୍ୟ ‘ମନିଟାଇଜେସନ’ କରାଯାଇ ସରକାରୀ ଓ ବେସରକାରୀ ବିଜ୍ଞାପନର ଚକ୍ରବ୍ୟୂହରୁ ବର୍ତ୍ତିବା ସମ୍ଭବପର । ସକ୍ରିୟ ଗଣତନ୍ତ୍ର ପ୍ରତିଷ୍ଠା ତଥା ଜନହିତରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ନିଜ ଭୂମିକା ନିର୍ବାହ ନିମନ୍ତେ ସୃଜନ ଆଶ୍ରିତ ମୂଲ୍ୟବୋଧ ସୁରକ୍ଷା ସହାୟକ ହେବା ବିଶ୍ୱାସ କରାଯାଇପାରେ । ସମ୍ଭାବ୍ୟ ଡିଜିଟାଲ ପରିବେଶରେ ମୁଦ୍ରିତ ସମ୍ୱାଦପତ୍ର କେବଳ ବଞ୍ଚି ରହିବା କାହିଁକି, ପ୍ରଭାବଶାଳୀ ହେବାରେ ଗୁଣାତ୍ମକ ସାମ୍ୱାଦିକତା ପରିପ୍ରକାଶ ହିଁ ଏକମାତ୍ର ବିକଳ୍ପ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ :୨୨ ସେପ୍ଟେମ୍ୱର ୨୦୨

ବିଭ୍ରାନ୍ତିକର ବିଜ୍ଞାପନରେ ଅଙ୍କୁଶ

ଗଣମାଧ୍ୟମର ବ୍ୟାପ୍ତି ଓ ଉପଭୋକ୍ତାଙ୍କ ସଂପୃକ୍ତି ସହ ବିଜ୍ଞାପନର ଗୁରୁତ୍ୱ ମଧ୍ୟ ସମତାଳରେ ବୃଦ୍ଧିପାଇବାରେ ଲାଗିଛି । ପାଶ୍ଚାତ୍ୟ ଭୂଖଣ୍ଡରେ ସପ୍ତଦଶ ଶତାଦ୍ଦୀରେ ମୁଦ୍ରିତ ଗଣମାଧ୍ୟମ ପ୍ରସାର କାଳରେ ପତ୍ରପତ୍ରିକାରେ ସମ୍ୱାଦ, ଅଭିମତ, ସୂଚ଼ନା, କ୍ରୀଡ଼ା-କୌତୁକ ଓ ସାହିତ୍ୟ ସଙ୍ଗେ ବିଭିନ୍ନ ଉତ୍ପାଦ, ସେବା ଓ ମତବାଦ ପ୍ରଚାର ନିମନ୍ତେ ବିଜ୍ଞାପନ ପ୍ରକାଶନ ଧାରା ଆରମ୍ଭ ହୋଇଥିଲା । ଏକବିଂଶ ଶତାଦ୍ଦୀରେ ସୋସିଆଲ ମିଡ଼ିଆର ଲୋକପ୍ରିୟତା, ବିକଶିତ ରାଷ୍ଟ୍ରଗୁଡ଼ିକରେ ଦୈନିକ ୧୨ ଘଣ୍ଟା ଯାଏଁ ଉପଭୋକ୍ତାଙ୍କ ଗଣମାଧ୍ୟମ ମଞ୍ଚମାନଙ୍କରେ ଉପସ୍ଥିତି ଏବଂ ଡ଼ିଜିଟାଲ ପରିବେଶରେ ଭୌଗଳିକ ସୀମାପାର ଅନୁଭୂତି ବିଜ୍ଞାପନ ପ୍ରକାଶନ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।

 

ପିଲାଙ୍କ ମିଠେଇଠାରୁ ପରିଣତ ବୟସରେ ଶୋକ ପ୍ରଶମନ, ଜନସ୍ୱାସ୍ଥ୍ୟ ସୁରକ୍ଷାରୁ ଉଗ୍ରବାଦ ପ୍ରସାର ଯାଏଁ ବିଭିନ୍ନ ସ୍ତରରେ ବୈଧ ଓ ଅବୈଧ ଉଭୟ ଉପାୟ ଅବଲମ୍ୱନରେ ବିଜ୍ଞପିତ କରିବା ଉଦ୍ୟମ ଅବ୍ୟାହତ ରହିଛି । ବିଜ୍ଞାପନ ନିୟନ୍ତ୍ରଣ ଏକ ସାମାଜିକ ଆବଶ୍ୟକତାରେ ପରିଣତ ହୋଇ ସାରିଥିବା ସ୍ଥଳେ ବିଳମ୍ୱରେ ହେଲେ ସୁଦ୍ଧା ଭାରତରେ ବିଭ୍ରାନ୍ତିକର ବିଜ୍ଞାପନରେ ଅଙ୍କୁଶ ନିମନ୍ତେ ମାର୍ଗଦର୍ଶିକା ପ୍ରଣୟନଜନିତ ପ୍ରଶାସନିକ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

 

ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଅଧୀନସ୍ଥ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ‘ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକସନ ଆଥାରିଟି’ ପକ୍ଷରୁ ୨୦୨୨ ଜୁନ ୧୦ ତାରିଖ ଦିନ ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷାର୍ଥେ ବିଭ୍ରାନ୍ତିକର ବିଜ୍ଞାପନ ଓ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କ ଅନୁମୋଦିତ ଭ୍ରମାନ୍ତକ ବିଜ୍ଞାପନ ନିରାକରଣ ମାର୍ଗଦର୍ଶିକା ୨୦୨୨ ‘ଗାଇଡ଼ଲାଇନ୍ସ ଅନ ପ୍ରିଭେନସନ ଅଫ ମିସଲିଡ଼ିଙ୍ଗ ଏଡ଼ଭାଟାଇଜମେଣ୍ଟସ ଏଣ୍ଡ ଏଣ୍ଡୋର୍ସମେଣ୍ଟ ଫର ମିସଲିଡ଼ିଙ୍ଗ ଏଡ଼ଭାଟାଇଜମେଣ୍ଟସ’ ଜାରୀ କରିଛି ।

 

ଏଥିରେ ଏକପକ୍ଷରେ ବିଜ୍ଞାପକଙ୍କ ପକ୍ଷରୁ ଆଧାରହୀନ ପ୍ରତିଶୃତି, ଅତିରଞ୍ଜିତ ଓ ଅବାନ୍ତର ଦାବି, ମିଥ୍ୟା ସୂଚନା ଇତ୍ୟାଦି ବିଜ୍ଞପିତ କରିବା ବାରଣ କରାଯାଇଥିବା ସ୍ଥଳେ ଅପରପକ୍ଷେ ଉପଭୋକ୍ତାଙ୍କ ସୂଚ଼ନା ପ୍ରାପ୍ତି ଓ ଚୟନ ତଥା ସମ୍ଭାବ୍ୟ ଅସୁରକ୍ଷିତ ଉତ୍ପାଦ ଓ ସେବା ବିରୋଧରେ ସୁରକ୍ଷା ଅଧିକାର ନିଶ୍ଚିତ କରିବା ନିମନ୍ତେ ଉଦ୍ୟମ ହୋଇଛି । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ମାର୍ଗଦର୍ଶିକା ଅନୁପାଳନରେ ଅବହେଳା ନିମନ୍ତେ ମୋଟା ଅର୍ଥ ଜରିମାନା ଆଦାୟ ପ୍ରାବଧାନ କରାଯାଇଛି ।

 

ଭାରତୀୟ ବିଜ୍ଞାପନ ପରିଧିରେ ମୁଖ୍ୟତଃ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କ ଅନୁମୋଦନ ‘ଏଣ୍ଡୋର୍ସମେଣ୍ଟ’ ଏବଂ ଛାୟା ବିଜ୍ଞାପନ ‘ସାରୋଗେଟ’ ଅବୈଧ ବାତାବରଣ ସୃଷ୍ଟି କରିଥାଏ । ବିଶେଷଜ୍ଞଙ୍କ ମତରେ ଏଣ୍ଡୋର୍ସମେଣ୍ଟ ବିଜ୍ଞାପନ ଆମ ଦେଶରେ ‘କୋଭିଡ଼-୧୯’ ମହାମାରୀ କାଳରେ ବ୍ୟାପକ ମାତ୍ରାରେ ବୃଦ୍ଧି ହିସାବ କରାଯାଇଥିଲା । ‘ଟିଏଏମ ଇଣ୍ଡିଆ’ ରିପୋର୍ଟ ଅନୁଯାୟୀ ୨୦୨୦ ତୁଳନାରେ ୨୦୨୧ରେ ଏହି କ୍ଷେତ୍ରରେ ୪୪ ପ୍ରତିଶତ ବୃଦ୍ଧି ପାଇଥିଲା । ଆଲୋଚ୍ୟ ବର୍ଷ ଟେଲିଭିଜନରେ ପ୍ରଦର୍ଶିତ ବିଜ୍ଞାପନଗୁଡ଼ିକ ମଧ୍ୟରୁ ୨୭ ପ୍ରତିଶତ ଏଣ୍ଡୋର୍ସମେଣ୍ଟ ପର୍ଯ୍ୟାୟଭୁକ୍ତ ।

 

ଏହି ବର୍ଗର ବିଜ୍ଞାପନରେ ୮୦ ପ୍ରତିଶତ ଚଳଚ଼ିତ୍ର ଅଭିନେତା ଓ ୧୩ ପ୍ରତିଶତ କ୍ରୀଡ଼ାବିତ ସାମିଲ ଥିଲେ । ଚଳଚ଼ିତ୍ର ଅଭିନେତା ଓ କ୍ରୀଡ଼ାବିତମାନେ ସାମାଜିକସ୍ତରରେ ଚର୍ଚ୍ଚିତ ଚ଼ରିତ୍ର ଥିବା ହେତୁ ବିଜ୍ଞାପକମାନେ ସେମାନଙ୍କ ଅନୁମୋଦିତ ବିଜ୍ଞାପନରେ ଆଧାରହୀନ ପ୍ରତିଶୃତି, ଅତିରଞ୍ଜିତ ଦାବି ଓ ମିଥ୍ୟା ସୂଚ଼ନା ପ୍ରସାରଣରେ ସମର୍ଥ ହେଉଥିବା ଅଭିଯୋଗ ହୋଇଥାଏ । ନୂତନ ମାର୍ଗଦର୍ଶିକା ଅନୁଯାୟୀ ପ୍ରକାଶିତ ବିଜ୍ଞାପନରେ ଅଂଶଗ୍ରହଣ କରୁଥିବା ପ୍ରସିଦ୍ଧ ବ୍ୟକ୍ତିବିଶେଷ ‘ସେଲିବ୍ରିଟି’ ବିଜ୍ଞାପନରେ ପ୍ରସାରିତ ବାର୍ତ୍ତା ନିମନ୍ତେ ଦାୟୀ ରହିବେ ଏବଂ ଆଇନ ଉଲଂଘନରେ ଜରିମାନାରେ ଦଣ୍ଡିତ ହେବେ ।

 

ଆମ ଦେଶରେ ମଦ୍ୟ ଓ ତମାଖୁଯାତ ଦ୍ରବ୍ୟର ବିଜ୍ଞାପନ ପ୍ରଦର୍ଶନ ବାରଣ ଥିବା ସ୍ଥଳେ ଏହି ଦୁଇ କ୍ଷେତ୍ରରେ ଛାୟା ବିଜ୍ଞାପନ ‘ସରୋଗେଟ’ ବିଜ୍ଞାପନର ପ୍ରାଦୁର୍ଭାବ ଲାଗି ରହିଆସିଛି । ମଦ୍ୟ ବ୍ରାଣ୍ଡର ପ୍ରଚାର ନିମନ୍ତେ ସୋଡ଼ା, ପାନୀୟଜଳ ବୋତଲ, ସଙ୍ଗୀତ ଲେବଲ ଭଳି ଛାୟା ବିଜ୍ଞାପନ ପ୍ରଚଳିତ । ସେହିପରି ତମାଖୁଯୁକ୍ତ ଜର୍ଦ୍ଦା ଓ ପାନମସଲା ବ୍ରାଣ୍ଡ ବିଜ୍ଞପିତ କରିବା ନିମନ୍ତେ ସାଦା ପାନ ମସଲା, ଅଳାଇଚ ଭଳି ନକଲ ବିଜ୍ଞାପନ ପ୍ରଚାରିତ ।

 

ନିକଟ ଅତୀତରେ ବହୁ ପ୍ରସିଦ୍ଧ ଚଳଚ଼ିତ୍ର ତାରକା ଏଭଳି ଛାୟା ବିଜ୍ଞାପନ ପ୍ରଦର୍ଶନରେ ଅଂଶଗ୍ରହଣ କରି ନିନ୍ଦିତ ହୋଇଥିଲେ । ଅମିତାଭ ବଚ୍ଚନ ଓ ରଣବୀର ସିଂ ଗୋଟିଏ ବ୍ରାଣ୍ଡର ପାନମସଲା ଏବଂ ଶାହରୁଖ ଖାନ, ଅଜୟ ଦେବଗାନ ଓ ଅକ୍ଷୟ କୁମାର ଅନ୍ୟ ଏକ ବ୍ରାଣ୍ଡର ପାନମସଲା ବିଜ୍ଞାପନରେ ଅବତୀର୍ଣ୍ଣ ହେବା ଉଲ୍ଲେଖଯୋଗ୍ୟ ଘଟଣା । ସଞ୍ଜୟ ଦତ୍ତ ଏକ ବ୍ରାଣ୍ଡ ସୋଡ଼ାର ବିଜ୍ଞାପନ ଅନୁମୋଦନ କରିଥାନ୍ତି ।

 

ଆଇନତଃ ବିଜ୍ଞାପନ ନିଷିଦ୍ଧ ଥିବା ଦ୍ରବ୍ୟସମୂହ ମୁଖ୍ୟତଃ ମଦ୍ୟ ଓ ତମାଖୁଯାତ ଉତ୍ପାଦର ବିଜ୍ଞାପନ ବାରଣ ନିମନ୍ତେ ଦେଶରେ ପର୍ଯ୍ୟାପ୍ତ ଆଇନ ପ୍ରଚଳିତ । ‘ଦି କେବଲ ଟେଲିଭିଜନ ନେଟୱାର୍କସ (ରେଗୁଲେସନ) ଆକ୍ଟ ୧୯୯୫’ରେ ଏହି ସବୁ ସାମଗ୍ରୀର ପ୍ରଚାର ନିଷିଦ୍ଧ । ଫଳରେ ପ୍ରଶାସନର ତୃଣମୂଳ ସ୍ତରରୁ ବାରଣ ସଂଭବ । ସେହିପରି ବିଜ୍ଞାପନ ବ୍ୟବସାୟରେ ସଂପୃକ୍ତ ସଂସ୍ଥାଗୁଡ଼ିକର ଶୀର୍ଷ ସଂଗଠନ ‘ଆଡ଼ଭାଟାଇଜିଂ ଷ୍ଟାଣ୍ଡର୍ଡସ କାଉନସିଲ ଅଫ ଇଣ୍ଡିଆ’ ପକ୍ଷରୁ ଆତ୍ମ-ନିୟନ୍ତ୍ରଣ ଧାରାରେ ମାର୍ଗଦର୍ଶିକା ଲାଗୁ କରାଯାଇଥାଏ । ତେବେ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ସନ୍ତୋଷଜନକ ଫଳାଫଳ ଦେଖିବାକୁ ମିଳେନାହିଁ ।

 

‘ଲୋକାଲ ସର୍କଲ’ ନାମକ ଏକ ବିଜ୍ଞାପନ ଗବେଷଣା ସଂସ୍ଥା ପକ୍ଷରୁ ମହାମାରୀ କାଳରେ ବିଜ୍ଞାପନର ଗୁଣବତ୍ତା ଯାଞ୍ଚ କରିବା ନିମନ୍ତେ ଦେଶର ୩୧୨ ଗୋଟି ଜିଲ୍ଲାରେ ୩୩ ହଜାର ଉପଭୋକ୍ତାଙ୍କୁ ନମୂନାଭାବେ ଗ୍ରହଣ କରି ମତାମତ ସଂଗ୍ରହ କରାଯାଇଥିଲା । ପ୍ରାୟ ୭୦ ପ୍ରତିଶତ ସର୍ବେକ୍ଷଣ ଅଂଶଗ୍ରହଣକାରୀ ବିଗତ ଦୁଇ ବର୍ଷ ମଧ୍ୟରେ ଭ୍ରାମାନ୍ତକ ବିଜ୍ଞାପନ ସଂସ୍ପର୍ଶରେ ଆସିଥିବା ସୂଚିତ କରିଥିଲେ ।

 

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ୨୦୧୯ରେ ଉପଭୋକ୍ତା ସୁରକ୍ଷା ଆଇନ ‘କନଜ୍ୟୁମର ପ୍ରୋଟେକସନ ଆକ୍ଟ’ରେ ଉଭୟ ‘ଏଣ୍ଡୋର୍ସମେଣ୍ଟ’ ଓ ‘ସାରୋଗୋଟ’ ବିଜ୍ଞାପନ ନିୟନ୍ତ୍ରଣ ନିମନ୍ତେ କଟକଣା ଉଲ୍ଲେଖଥିଲା । ‘ଏଣ୍ଡୋର୍ସମେଣ୍ଟ’ କ୍ଷେତ୍ରରେ ମିଥ୍ୟା ସୂଚ଼ନା ନିମନ୍ତେ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କୁ ଦାୟୀ କରାଯିବା ପ୍ରାବଧାନ ରହିଥିଲା । ଆଲୋଚ୍ୟ ଆଇନର ଧାରା ୧୦ ଅନୁଯାୟୀ ପ୍ରାଧିକରଣ ଗଠିତ ହୋଇ ଧାରା ୧୮ ବଳରେ ମାର୍ଗଦର୍ଶିକା ଘୋଷିତ ହୋଇଛି ।

 

ପ୍ରାଧିକରଣ ପକ୍ଷରୁ ଆଇନ କାର୍ଯ୍ୟକାରିତା ପ୍ରତି ପଦକ୍ଷେପ ଗ୍ରହଣ କରାଯିବ । ଆଇନ ଉଲଂଘନରେ ବିଜ୍ଞପିତ ଦ୍ରବ୍ୟର ଉତ୍ପାଦକ, ବିଜ୍ଞାପନ ପ୍ରସାରକ ଏବଂ ବିଜ୍ଞାପନରେ ଅବତୀର୍ଣ୍ଣ ଅନୁମୋଦକଙ୍କୁ ଦଶ ଲକ୍ଷ ଟଙ୍କା ଜରିମାନାର ପ୍ରାବଧାନ ରହିଛି । ପୁନର୍ବାର ଉଲଂଘନରେ ୫୦ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇପାରିବ । ସେହିପରି ଅନୁମୋଦକଙ୍କୁ ପ୍ରଥମ ଅପରାଧ ନିମନ୍ତେ ବର୍ଷେ ଏବଂ ପରବର୍ତ୍ତୀ ଅପରାଧ ନିମନ୍ତେ ତିନି ବର୍ଷ ଯାଏଁ ବିଜ୍ଞାପନ ଅନୁମୋଦନରୁ କ୍ଷାନ୍ତ ରହିବାଲାଗି ବାଧ୍ୟ କରାଯାଇପାରିବ ।

 

ଦେଶରେ ଯେଉଁ ଦ୍ରବ୍ୟସମୂହର ବିଜ୍ଞାପନ ପ୍ରଦର୍ଶନ ଆଇନତଃ ବାରଣ କରାଯାଇଛି ସେଗୁଡ଼ିକ କ୍ଷେତ୍ରରେ ‘ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକସନ ଅଥାରିଟି’ ଦ୍ୱାରା ୨୦୨୨ରେ ଜାରୀ କରାଯାଇଥିବା ମାର୍ଗଦର୍ଶିକା ଲାଗୁ ହେବ । ତେବେ ମଦ୍ୟ ଓ ତମାଖୁଯାତ ଦ୍ରବ୍ୟ ବିକ୍ରୀ ଓ ଟିକସ ଆଦାୟ ବଳବତ୍ତର ରହିଥିବା ସ୍ଥଳେ ଏବଂ ଯେକୌଣସି ବ୍ୟବସାୟ ପ୍ରସାର ନିମନ୍ତେ ବିଜ୍ଞାପନ ଏକ ପ୍ରମୁଖ ସାଧନ ଥିବା ପରିପ୍ରେକ୍ଷୀରେ ବିଜ୍ଞାପନ ବାରଣ କରାଯିବା ବିରୋଧରେ ଏକ ଗୋଷ୍ଠୀ ମତ ପୋଷଣ କରିଥାନ୍ତି । ସେହିପରି ବିଜ୍ଞାପନ ଅନୁମୋଦନ ‘ଏଣ୍ଡୋର୍ସମେଣ୍ଟ’ ଲାଗି ଅନୁମୋଦକଙ୍କୁ ଦାୟୀ ଓ ଦଣ୍ଡିତ କରାଯିବା ଅସଙ୍ଗତ ବୋଲି ଅନ୍ୟ ଏକ ଗୋଷ୍ଠୀ ଯୁକ୍ତି ବାଢ଼ିଥାନ୍ତି । ପ୍ରସ୍ତୁତକର୍ତ୍ତା ଓ ବିଜ୍ଞାପନ ପ୍ରସାରକ ନିର୍ଦ୍ଦେଶରେ ଅନୁମୋଦକ ବିଜ୍ଞାପନରେ ଅବତୀର୍ଣ୍ଣ ହେଉଥିବା ସ୍ଥଳେ ତାଙ୍କୁ ଦାୟୀ କରାଯିବା ଅସଙ୍ଗତ ବୋଲି ମତ ପ୍ରକାଶ କରିଥାନ୍ତି ।

 

ମାର୍ଗଦର୍ଶିକାରେ ବିଜ୍ଞାପନ ପ୍ରସାରଣର ବିଭିନ୍ନ ଦିଗ ଉଲ୍ଲେଖ ରହିଛି । ପ୍ରଲୋଭନ ବିଜ୍ଞାପନ ‘ବିଟ୍ ଏଡ଼ଭାଟାଇଜମେଣ୍ଟ’, ଉପହାର ବିଜ୍ଞାପନ ‘ଫ୍ରି କ୍ଳେମ ଏଡ଼ଭାଟାଇଜମେଣ୍ଟ’, ବୈଧାନିକ ଘୋଷଣା ‘ଡ଼ିସକ୍ଳେମରସ’ ତଥା ଶିଶୁ-ଅନୁକୂଳ ବିଜ୍ଞାପନ ପ୍ରଦର୍ଶନ ଇତ୍ୟାଦି ନୀତି ନିର୍ଦ୍ଧାରଣ ପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଛି ।

 

ଭାରତରେ ବିଜ୍ଞାପନ ନିଷିଦ୍ଧ ହୋଇଥିବା କେତେକ ସାମଗ୍ରୀର ଉତ୍ପାଦନ ଓ ବଜାର ଦୃତଗତିରେ ବୃଦ୍ଧି  ପାଉଥିବା ହେତୁ ବିଜ୍ଞାପନ ବାରଣ ବାରମ୍ୱାର ଉଲଂଘନ ହୋଇଥାଏ । ଉଦାହରଣରେ ବଜାର ଗବେଷଣା ପ୍ରତିଷ୍ଠାନ ‘ଆଇଏମଏଆରସି’ର ବିବରଣୀ ଅନୁଯାୟୀ ପାନମସଲା ବ୍ୟବସାୟ ୨୦୨୧ରେ ପ୍ରାୟ ୪୨ ହଜାର କୋଟି ଟଙ୍କା ହିସାବ କରାଯାଇଥିବା ସ୍ଥଳେ ୨୦୨୭ରେ ୫୩ ହଜାର କୋଟି ଟଙ୍କାରେ ପହଞ୍ଚିବା ଆକଳନ କରାଯାଏ । ଏଭଳି ବିପୁଳ ଅର୍ଥ ସମୃଦ୍ଧ ବ୍ୟବସାୟରେ ପ୍ରତିଯୋଗୀମାନଙ୍କୁ ବିଜ୍ଞାପନ ପ୍ରଦର୍ଶନରୁ କ୍ଷାନ୍ତ ରଖିବା କାଠିକର ପାଠ । ଅବଶ୍ୟ ନୀତିନିୟମ ବିରୁଦ୍ଧାଚ଼ରଣ ରୋକିବା ନିମନ୍ତେ ସ୍ୱତନ୍ତ୍ର ପ୍ରାଧିକରଣ ଗଠନ ଓ ଜରିମାନା ବ୍ୟବସ୍ଥା ଆଶା ସଂଚାର କରେ । ବିଜ୍ଞାପନ ବୃତ୍ତିଗତ ଶୀର୍ଷ ଅନୁଷ୍ଠାନ ‘ଏଡ଼ଭାଟାଇଜିଂ ଷ୍ଟାଣ୍ଡାର୍ଡସ କାଉନସିଲ ଅଫ ଇଣ୍ଡିଆ’ ପକ୍ଷରୁ ମଧ୍ୟ ମାର୍ଗଦର୍ଶିକା ଜାରିକୁ ସ୍ୱାଗତ କରାଯାଇଛି ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୭ ଜୁନ ୨୦୨୨


ତଥ୍ୟ:


 

Pinto, Viveat Susan. New guidelines put onus on celebrity endorsers. Business Standard (Bhubaneswar Edition). June 11, 2022

 

Pinto, Vieat Susan. Smoke screen around surrogate advertising clears with govt ban. Business Standard (Bhubaneswar Edition). June 13, 2022

 

Press Information Buru. Press Release. June 10, 2022

ଏ-ଆଇ ପ୍ରଭାବିତ ବିଜ୍ଞାପନ

କରୋନା-ଭୂତାଣୁଜନିତ ମହାମାରୀ ଶେଷ ଅବସ୍ଥାରେ ବାଣିଜ୍ୟ-ବ୍ୟବସାୟ ସ୍ୱାଭାବିକ ଅବସ୍ଥାକୁ ଫେରିବା ଅବସରରେ ଗଣମାଧ୍ୟମରେ ବିଜ୍ଞାପନ ଆୟ ବୃଦ୍ଧି ପାଇବା ଆଶା କରାଯାଉଥିଲା । ପାରମ୍ପରିକ ମଞ୍ଚ, ମୁଖ୍ୟତଃ ଟେଲିଭିଜନ ଓ ମୁଦ୍ରିତ ସମ୍ୱାଦପତ୍ର ମହାମାରୀ-ପୂର୍ବ ଅର୍ଥନୀତିକୁ ଫେରିବାକୁ ନେଇ ନିଶ୍ଚିନ୍ତ ରହିଥିଲେ । ତେବେ ମହାମାରୀ-ପୂର୍ବ ଓ ମହାମାରୀ କାଳରେ ବିଜ୍ଞାପନ ପ୍ରଯୋଜନା ଓ ପ୍ରସାରଣ କ୍ଷେତ୍ରରେ ସଂଘଟିତ ବୈଷୟିକ ପରିବର୍ତ୍ତନ ବିଜ୍ଞାପନ ବ୍ୟୟକୁ ଡ଼ିଜିଟାଲ ମଞ୍ଚ ମୁହାଁ ଗଢ଼ି ତୋଳୁଥିବା ଉଦାହରଣ ୨୦୨୨ ପ୍ରଥମାର୍ଦ୍ଧରେ ଦେଖିବାକୁ ମିଳିଛି ।

 

ଭାରତରେ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ଜୀ ଏଣ୍ଟରଟେନମେଣ୍ଟ ପ୍ରମୁଖ ସ୍ଥାନ ଅଧିକାରୀ । ଅଗଷ୍ଟ ୨୦୨୨ ଦ୍ୱିତୀୟ ସପ୍ତାହରେ ଜୀ ଏଣ୍ଟରଟେନମେଣ୍ଟ ପକ୍ଷରୁ ପ୍ରକାଶିତ ଲାଭକ୍ଷତି ହିସାବରେ କୁହାଯାଇଛି ଯେ ଏପ୍ରିଲ-ମେ-ଜୁନ ୨୦୨୧ ତୁଳନାରେ ଏପ୍ରିଲ-ମେ-ଜୁନ ୨୦୨୨ରେ ଲାଭାଂଶ ପ୍ରାୟ ୫୦ ପ୍ରତିଶତ କମିଥିଲା । ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ୨୦୨୧ରେ ଲାଭାଂଶ ୨୦୮ କୋଟି ହିସାବ କରାଯାଇଥିବା ସ୍ଥଳେ ୨୦୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୧୦୬ କୋଟିକୁ ଖସିଛି । ଅନ୍ୟାନ୍ୟ କାରଣ ମଧ୍ୟରେ ବିଜ୍ଞାପକମାନଙ୍କ ପକ୍ଷରୁ ବିଜ୍ଞାପନ ବ୍ୟୟ ହ୍ରାସ ଅନ୍ୟତମ ବୋଲି କୁହାଯାଇଛି ।

 

ଜୀ ଏଣ୍ଟରଟେନମେଣ୍ଟର ଅଭିଜ୍ଞତା ସାମଗ୍ରୀକଭାବେ ସମସ୍ତ ପାରମ୍ପରିକ ଗଣମାଧ୍ୟମ ମଞ୍ଚ ନିମନ୍ତେ ପ୍ରଯୁଜ୍ୟ ନହେଲେ ସୁଦ୍ଧା ବଜାରରେ ବିଜ୍ଞାପନ ଆୟ କମିବା କାରଣଗୁଡ଼ିକ ଅନୁଶୀଳନ କରିବା ସମୟ ପହଞ୍ଚିଛି । ସେଥି ମଧ୍ୟରେ ବିଜ୍ଞାପନ ପ୍ରଯୋଜନା ଓ ପ୍ରସାରଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ପ୍ରୟୋଗକୁ ଅନ୍ୟତମ କାରଣଭାବେ ଚ଼ିହ୍ନଟ କରାଯାଇପାରେ । ଆନ୍ତର୍ଜାତିକସ୍ତରରେ ବିଜ୍ଞାପନ ପ୍ରସାରଣ ନିମନ୍ତେ ବ୍ୟାପକ ଏ-ଆଇ କଳା-କୌଶଳ ବ୍ୟବହାର ଆରମ୍ଭ ହୋଇସାରିଥିବା ବେଳେ ଭାରତ ମଧ୍ୟ ପଛୁଆ ନଥିବା ଦୃଷ୍ଟାନ୍ତମାନ ପରିଲକ୍ଷିତ ।

 

ଏକକ ଉପଭୋକ୍ତା-କେନ୍ଦ୍ରୀକ ବିଜ୍ଞାପନ ପ୍ରଯୋଜନା ଓ ପ୍ରସାରଣ ଏ-ଆଇ ପ୍ରଭାବିତ ବିଜ୍ଞାପନର ପ୍ରମୁଖ ବିଶେଷତ୍ତ୍ୱ । ଉଦାହରଣରେ ଜୁଲାଇ ୨୦୨୨ ପ୍ରଥମ ସପ୍ତାହରେ ହୋଟେଲ-ରେଷ୍ଟୁରାଣ୍ଟ ଖାଦ୍ୟ ବିତରଣ ସଂସ୍ଥା ‘ଜମାଟୋ’ ପକ୍ଷରୁ ଏକ ଗଭୀର ଆଞ୍ଚଳିକ ‘ହାଇପର-ଲୋକାଲ’ ବିଜ୍ଞାପନ ପ୍ରସ୍ତୁତ କରାଯାଇଥିଲା । ଏଥିରେ ବ୍ରାଣ୍ଡ ଆମ୍ୱାସଡ଼ର ହିତ୍ରୀକ ରୋଶନ ପ୍ରତ୍ୟେକ ସହରର ବିଭିନ୍ନ ଖାଦ୍ୟ ବିପ୍ପଣୀ ଓ ସେଠାରେ ଉପଲବ୍ଧ ବ୍ୟଞ୍ଜନର ନାମ ନେଇ ପ୍ରମୋଶନ କରିଥିଲେ । ଏଥିଲାଗି ଡିପ୍-ଫେକ ଟେକନୋଲଜି ବ୍ୟବହୃତ ହୋଇଥିଲା । ଜଣେ ଲୋକପ୍ରିୟ ବଲିଉଡ଼ ଅଭିନେତାଙ୍କ ମୁଖରୁ ନିଜ ସହରର କୌଣସି ହୋଟେଲ ରେଷ୍ଟୁରାଣ୍ଟର ନାମ ଶୁଣିବା ଶ୍ରୋତା ଓ ଦର୍ଶକମାନଙ୍କ ମଧ୍ୟରେ ଉତ୍ସୁକତା ଭରିଦେବା ସ୍ୱାଭାବିକ । ଏହି ପରିବେଶର ମୁକାବିଲା କରିବାରେ ଟେଲିଭିଜନ ଓ ମୁଦ୍ରିତ ସମ୍ୱାଦପତ୍ରରେ ପ୍ରକାଶିତ ବିଜ୍ଞାପନ ଯେ ଅବଶ୍ୟ ହାର ମାନିବ ଏଥିରେ ସନ୍ଦେହ ନଥାଏ । ଡ଼ିଜିଟାଲ ମଞ୍ଚରେ ଉପଭୋକ୍ତାଙ୍କ ମୋବାଇଲ ବା କମ୍ପ୍ୟୁଟରର ଭୌଗଳିକସ୍ଥିତି ‘ଜିପିଏସ’ ଆଧାରରେ ଏହି ବିଜ୍ଞାପନ ପ୍ରସାରିତ ହୋଇଥିଲା ।

 

ସେହିପରି ୨୦୨୧ ଦିପାବଳୀ ଅବସରରେ ‘ନଟଜଷ୍ଟକ୍ୟାଡ଼ବରିଏଡ଼-ଡ଼ଟ-କମ’ ନାମକ ସଂସ୍ଥା ପକ୍ଷରୁ ଦେଶର ବିଭିନ୍ନ ସହରର ତେଜରାତି, ରିଟେଲ ଦୋକାନର ପ୍ରମୋଶନ ନିମନ୍ତେ ବିଜ୍ଞାପନ ପ୍ରସ୍ତୁତ କରାଯାଇଥିଲା । ଏଥିରେ ଶାହରୁଖ ଖାନ ପ୍ରତ୍ୟେକ ନିର୍ଦ୍ଦିଷ୍ଟ ଦୋକାନର ନାମ ନେଇ ଉତ୍ସବାନୁଷ୍ଠାନ ଅବସରରେ ସେଠାରୁ କିଣାକିଣି କରିବା ନିମନ୍ତେ ନିବେଦନ କରିଥିଲେ । ଏହି ବିଜ୍ଞାପନ ଅଭିଯାନରେ ପ୍ରାୟ ଲକ୍ଷେ ଚାଳିଶି ହଜାର ଛୋଟବଡ଼ ଦୋକାନ ନିଜ ପାଇଁ ଲୋକପ୍ରିୟ ବଲିଉଡ଼ ଅଭିନେତାଙ୍କ ଅନୁମୋଦିତ ବିଜ୍ଞାପନ ପ୍ରସ୍ତୁତ କରି ଡ଼ିଜିଟାଲ ମଞ୍ଚରେ ବିଜ୍ଞପିତ କରିଥିଲେ । ଏ-ଆର ଟେକନୋଲଜି ଉପଯୋଗରେ ଏହି ବିପୁଳ ସଂଖ୍ୟକ ଏକକ ବିଜ୍ଞାପନ ପ୍ରସ୍ତୁତି ନିମନ୍ତେ ମାତ୍ର ଦଶ ଦିନ ସମୟ ଲାଗିଥିଲା ।

 

ମୃଦୁପାନୀୟ କମ୍ପାନୀ ପେପସି ପକ୍ଷରୁ ବ୍ରାଣ୍ଡ-ଆମ୍ୱାସଡ଼ର ସଲମାନ ଖାନଙ୍କ ଅପେକ୍ଷାକୃତ ଯୁବାବସ୍ଥାର ଏକ ଭିଡ଼ିଓ ଡ଼ିପ-ଫେକ ଟେଲନୋଲଜି ସହାୟତା ପ୍ରସ୍ତୁତ କରାଯାଇଥିଲା । ଗ୍ରୀଷ୍ମଋତୁ ଆରମ୍ଭରେ ମାର୍ଚ୍ଚ ୨୦୨୨ରେ ଏହାର ବହୁଳ ପ୍ରଦର୍ଶନ ଡ଼ିଜିଟାଲ ମଞ୍ଚରେ କୌତୁହଳ ଉଦ୍ଦୀପକ ସାବ୍ୟସ୍ତ ହୋଇଥିଲା । ସେହିପରି ଏକ ଜୀବନବୀମା କମ୍ପାନୀ ପକ୍ଷରୁ ୧୧ ବର୍ଷ ବୟସ୍କ ସଚୀନ ତେନ୍ଦୁଲକରଙ୍କ ଚ଼େହରା ପ୍ରସ୍ତୁତ କରାଯାଇ ଜୀବନରେ ଭୟଶୂନ୍ୟ ହେବା ଉଚ଼ିତ ବୋଲି ବକ୍ତବ୍ୟ ପ୍ରଚାରିତ ହୋଇଥିଲା । ବ୍ରାଣ୍ଡ ଅନୁମୋଦନ କରୁଥିବା ଖ୍ୟାତନାମା ବ୍ୟକ୍ତିତ୍ୱ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ସର୍ଜନଶୀଳ ଢଙ୍ଗରେ ସଂପର୍କ ଯୋଡ଼ିବା ଉଦ୍ୟମ ଏ-ଆଇ ଉପଯୋଗରେ ଡିଜିଟାଲ ମଞ୍ଚର ସୁବିଧା ସୁଯୋଗ ପାରମ୍ପରିକ ଗଣମାଧ୍ୟମ ମଞ୍ଚ ଗୁଡ଼ିକରେ ଅଭାବ ଥିବା ହେତୁ ବିଜ୍ଞାପନ ବ୍ୟୟ କ୍ରମଶଃ ଡ଼ିଜିଟାଲ ମଞ୍ଚ ମୁହାଁ ହେଉଥିବା ବିଚାର କରାଯାଏ ।

 

ବିଜ୍ଞାପନ ପ୍ରସାରଣରେ କାହାକୁ, କେଉଁ ଆଙ୍ଗିକରେ, କ’ଣ କୁହାଯାଉଛି, କେଉଁମାତ୍ରାରେ ଉପଭୋକ୍ତାଙ୍କଠାରେ ବାର୍ତ୍ତା ପହଞ୍ଚିପାରୁଛି ଏବଂ ଆଚ଼ରଣକୁ ପ୍ରଭାବିତ କରୁଛି ତାହା ଗୁରୁତ୍ୱ ବହନ କରିଥାଏ । ପାରମ୍ପରିକ ଗଣମାଧ୍ୟମ ମଞ୍ଚରେ ବିଜ୍ଞାପନ ପ୍ରଥମତଃ, ଟେଲିଭିଜନ ବା ମୁଦ୍ରିତ ସମ୍ୱାଦପତ୍ରରେ ସର୍ବସାଧାରଣଙ୍କ ଗୋଚ଼ରାର୍ଥେ ପ୍ରକାଶିତ ହୋଇଥାଏ । ସମ୍ୱାଦପତ୍ରରେ ପ୍ରଥମ ବା ଶେଷପୃଷ୍ଠାରେ ବିଜ୍ଞାପନ ପ୍ରକାଶନ ଅଧିକ ସଂଖ୍ୟକଙ୍କ ଦୃଷ୍ଟି ଆକର୍ଷଣ କରିବା ବା କ୍ରୀଡ଼ା, ମନୋରଞ୍ଜନ ଭଳି ପୃଷ୍ଠାରେ ବିଜ୍ଞାପନ ସ୍ଥାନିତ ଦ୍ୱାରା ଅଧିକ ସଂଖ୍ୟକ ଯୁବ ସମ୍ପ୍ରଦାୟର ପାଠକଙ୍କ ନିକଟରେ ପହଞ୍ଚି ପାରିବା କିମ୍ୱା ବାଣିଜ୍ୟ-ବ୍ୟବସାୟ ସମ୍ୱାଦପତ୍ରରେ ପ୍ରକାଶନ ଦ୍ୱାରା ସଂପୃକ୍ତ ଶ୍ରେଣୀର ପାଠକଙ୍କ ନିକଟତର ହେବାଭଳି ସୁବିଧା ସୁଯୋଗ ଉପଲବ୍ଧ । କିନ୍ତୁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପାଠକ, ଶ୍ରୋତା ବା ଦର୍ଶକଙ୍କ ନିକଟରେ ପହଞ୍ଚି ପାରିହୁଏନା । ଦ୍ୱିତୀୟତଃ, ବିଜ୍ଞାପନର ବିଷୟବସ୍ତୁ ଉପଭୋକ୍ତା ଦ୍ୱାରା କେଉଁ ମାତ୍ରାରେ ଗ୍ରହଣୀୟ ହେଉଛି କିମ୍ୱା ତୃତୀୟତଃ, କେତେମାତ୍ରାରେ ଆଚ଼ରଣକୁ ପ୍ରଭାବିତ କରୁଛି ତାହାର ଯୁକ୍ତିଯୁକ୍ତ ତଥ୍ୟ ସଂଗ୍ରହ ସମ୍ଭବ ହୋଇପାରିନଥାଏ ।

 

ଅପରପକ୍ଷେ ବିଜ୍ଞାପନ ପ୍ରସ୍ତୁତି, ଲକ୍ଷ୍ୟବଦ୍ଧ ଦର୍ଶକ ନିର୍ଦ୍ଧାରଣ ‘ଟାର୍ଗେଟେଡ଼ ଅଡ଼ିଏନ୍ସ’ ଓ ଗଣମାଧ୍ୟମ ମଞ୍ଚ ଚୟନ କ୍ଷେତ୍ରରେ ଏ-ଆଇ ଉପଯୋଗ କରାଯାଇ ନିର୍ଦ୍ଧିଷ୍ଟ ସଂଖ୍ୟକ ଉପଭୋକ୍ତାଙ୍କ ଠାରେ ପହଞ୍ଚିବା ସାଧନ ଆୟତ୍ତ ହୋଇପାରୁଛି । ଫଳରେ ଅଧିକ ସଂଖ୍ୟକ ବିଜ୍ଞାପନ କ୍ରମଶଃ ଏହି ଧରଣର ପ୍ରଯୋଜନା ପ୍ରତି ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି । ଏତଦ୍ୱାରା ବିଜ୍ଞାପନ କ୍ଷେତ୍ରରେ ଅର୍ଥନିବେଶ ଆୟରେ ରୂପାନ୍ତରିତ ହୋଇପାରୁଛି । ଆନ୍ତର୍ଜାତିକସ୍ତରରେ ୨୦୨୨ ମଧ୍ୟଭାଗ ସୁଦ୍ଧା ପ୍ରାୟ ୧୫ ପ୍ରତିଶତ ଏ-ଆଇ ଆଶ୍ରିତ ବିଜ୍ଞାପନ ପ୍ରକାଶନ ହୋଇଥିବା ଖ୍ୟାତନାମା ‘ଫୋର୍ବସ’ ମଞ୍ଚରେ ପ୍ରକାଶିତ ରଚନାରେ ଉଲ୍ଲେଖ କରାଯାଇଥିଲା । ମହାମାରୀ-ପର ଅବସ୍ଥାରେ ବଜାରରେ ବିଜ୍ଞାପନ ବ୍ୟୟ କମି ଆସୁଥିବା ସତ୍ତ୍ୱେ ଏହି ଆଧୁନିକ ଧାରାର ଆଦର ବଢୁଥିବା ଦର୍ଶାଯାଇଥିଲା ।

 

ଏ-ଆଇ ଉପଯୋଗରେ ଉପଭୋକ୍ତାଙ୍କ ଗ୍ରହଣୀୟ ସୃଜନ, ବ୍ୟକ୍ତିକେନ୍ଦ୍ରୀକ ବିଜ୍ଞାପନ ପ୍ରସ୍ତୁତି ଓ ଦର୍ଶକ ନିର୍ଦ୍ଧାରଣ ବିଜ୍ଞାପନ ପ୍ରସାରଣର ଗୁଣବତ୍ତା ବୃଦ୍ଧି କରିଥାଏ । ଉପଭୋକ୍ତାଙ୍କ ରୁଚି, ଆବଶ୍ୟକତା ଓ ପ୍ରଚଳିତ ଧାରା ‘ଟ୍ରେଣ୍ଡ’ ଅନୁଶୀଳନରେ ଏ-ଆଇ ସହଯୋଗ କରିଥାଏ । ଫଳରେ ଉଚ୍ଚମାନର ବିଜ୍ଞାପନ ସୃଜନ ଓ ବିତରଣର ସମ୍ଭବ ହୋଇପାରେ । ଏ-ଆଇ ପ୍ରତ୍ୟେକ ଖୁଚୁରା ଦୋକାନ, ଏପରିକି ପ୍ରତ୍ୟେକ ଉପଭୋକ୍ତାଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କରି ବିଜ୍ଞାପନ ପ୍ରସ୍ତୁତି ଓ ପ୍ରସାରଣରେ ସହାୟକ ହୋଇପାରେ । ସେହିପରି ଉପଭୋକ୍ତାଙ୍କ ଆଚ଼ରଣ ଅନୁଯାୟୀ ବ୍ୟକ୍ତିକେନ୍ଦ୍ରୀକ ଭିନ୍ନ ଭିନ୍ନ ବିଜ୍ଞାପନ ପ୍ରକାଶନ କରିପାରେ । ଏ-ଆଇ ପରିଚାଳିତ ବିଜ୍ଞାପନ ଧାରା ଅପେକ୍ଷାକୃତ ସରଳ, ତୃଟିଶୂନ୍ୟ ଓ ବିଶ୍ୱାସଯୋଗ୍ୟ ହୋଇଥିବା ହେତୁ କ୍ରମଶଃ ବିଜ୍ଞାପକମାନଙ୍କ ଆଦର ଲାଭ କରୁଥିବା ପରିଲକ୍ଷିତ । ଏ-ଆଇ ପ୍ରଭାବିତ ବିଜ୍ଞାପନ ଗଣମାଧ୍ୟମରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ନିଶ୍ଚିତ ।    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅଗଷ୍ଟ ୨୦୨୨


ତଥ୍ୟ:


 

Pinto, Vivet Susan. AI opens a whole new world in advertising. Business Standard (Bhubaneswar Edition). July 7, 2022

 

Gonzalez, Wendy. How Machine Learning is shaping the future of advertising. forbes.com. Jan 18, 2022.

 

https://www.forbes.com/sites/forbesbusinesscouncil/2022/01/18/how-machine-learning-is-shaping-the-future-of-advertising/?sh=25bd1e881361