ବିଦେଶ

ଗାର୍ଡିଆନ ଜର୍ଣ୍ଣାଲିଜମ

ପାଶ୍ଚାତ୍ୟ ଭୂଖଣ୍ଡରେ ବିଜ୍ଞାପନ ରାଜସ୍ୱହାନୀ କାରଣରୁ ସମ୍ୱାଦପତ୍ରଗୁଡ଼ିକର ଉଭୟ ମୁଦ୍ରିତ ଓ ଡ଼ିଜିଟାଲ ସଂସ୍କରଣମାନ ଆର୍ଥିକ ସଂକଟ ସମ୍ମୁଖୀନ ହେଉଥିବା ଅବସରରେ ବ୍ରିଟିଶ ସମ୍ୱାଦପତ୍ର 'ଗାର୍ଡିଆନ' ରାଜସ୍ୱ ଆୟକ୍ଷେତ୍ରରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛି ।


 

ପାରମ୍ପରିକଭାବେ ଉଭୟ ମୁଦ୍ରିତ ଓ ଡ଼ିଜିଟାଲ ସମ୍ୱାଦପତ୍ରଗୁଡ଼ିକ ବିଜ୍ଞାପନ ରାଜସ୍ୱ ଉପରେ ନିର୍ଭରଶୀଳ ହୋଇ ଆସୁଛନ୍ତି । ତେବେ ଡ଼ିଜିଟାଲ ସମ୍ୱାଦପତ୍ରର ଲୋକପ୍ରିୟତା ପରେ ମୁଦ୍ରିତ ସମ୍ୱାଦପତ୍ର ଉଭୟ ଗ୍ରାହକ ଚ଼ାନ୍ଦା ଓ ବିଜ୍ଞାପନ ରାଜସ୍ୱ ହରାଇ ବସୁଛି । ଅପରପକ୍ଷରେ ଡ଼ିଜିଟାଲ ସମ୍ୱାଦପତ୍ର ପ୍ରାଥମିକସ୍ତରରେ ଅଧିକାଂଶ କ୍ଷେତ୍ରରେ ପାଠକଙ୍କଠାରୁ ଗ୍ରାହକ ଚ଼ାନ୍ଦା ଦାବି ନ କରୁଥିବା ସ୍ଥଳେ ବ୍ୟାବସାୟିକ ବ୍ୟୟ ତୁଳନାରେ ବିଜ୍ଞାପନ ରାଜସ୍ୱ ଆୟ ସମତୁଲ ହୋଇପାରୁ ନାହିଁ । ଏହି ପରିବେଶରେ ସମ୍ୱାଦ ସଂସ୍ଥା ଗୁଡ଼ିକ କଠିନ ସମୟ ମଧ୍ୟରେ ଗତି କରୁଛନ୍ତି ।


 

ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ  ବିଜ୍ଞାପନ ରାଜସ୍ୱ ହ୍ରାସର ବହୁବିଧ କାରଣ ଖୋଜି ବାହାର କରାଯାଇପାରେ । ପାଠକୀୟ ଲୋକପ୍ରିୟତା କ୍ରମଶଃ ଟେଲିଭିଜନ ଓ ପରେ ସୋସିଆଲ ମିଡ଼ିଆକୁ ଅପସାରଣ ମୁଦ୍ରିତ ସମ୍ୱାଦପତ୍ରରେ ବିଜ୍ଞାପନ ରାଜସ୍ୱ କମିବାରେ ଯେତିକି ଅବଦାନ ରହିଛି ବିଗତ ଦଶକରେ ଆନ୍ତର୍ଜାତିକ ଆର୍ଥିକକ୍ଷେତ୍ରରେ ମାନ୍ଦାବସ୍ଥା ମଧ୍ୟ ଅନୁରୂପ ପ୍ରଭାବିତ କରିଥିବା ଜଣାଯାଏ । ଭବିଷ୍ୟତରେ ଦ୍ୱିତୀୟ ବିଶ୍ୱଯୁଦ୍ଧପର ମୁଦ୍ରିତ ସମ୍ୱାଦପତ୍ରରେ ବିଜ୍ଞାପନର ଯୁଗ ପୁଣିଥରେ ଫେରିବାର ଆଶା ନାହିଁ । ଏହି ପରିପ୍ରେକ୍ଷୀରେ ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ୱାଦସଂସ୍ଥାଗୁଡ଼ିକ ରାଜସ୍ୱ ବୃଦ୍ଧିର ବହୁବିଧ ଯୋଜନା ଉପଯୋଗରେ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି ।


 

ବ୍ରିଟିଶ ସମ୍ୱାଦପତ୍ର 'ଗାର୍ଡ଼ିଆନ' ୧୯୬ ବର୍ଷର ପରମ୍ପରା । ଏହାର ପ୍ରକାଶକ 'ଗାର୍ଡ଼ିଆନ ନିଉଜ ଏଣ୍ଡ ମିଡ଼ିଆ' ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ୪ କୋଟି ୫୦ ଲକ୍ଷ ପାଉଣ୍ଡ (ଭାରତୀୟ ମୁଦ୍ରାରେ ପ୍ରାୟ ୩୮୨ କୋଟି ଟଙ୍କା) କ୍ଷତି ସହିଥିଲା । ତେବେ ଆର୍ଥିକ ସଂକଟରୁ ଓହରିବା ଉଦ୍ୟମରେ କ୍ରମାଗତ ଉଦ୍ୟମ ଜାରୀ ରଖିଛି । ଏକ ପକ୍ଷରେ 'ଗାର୍ଡ଼ିଆନ'ର କାର୍ଯ୍ୟକ୍ଷେତ୍ର ଆନ୍ତର୍ଜାତିକସ୍ତରକୁ ପରିବ୍ୟାପ୍ତ କରାଯିବା ସ୍ଥଳେ ଅନ୍ୟ ପକ୍ଷରେ ଡ଼ିଜିଟାଲ ଉପସ୍ଥିତିକୁ ସମୃଦ୍ଧ କରିବା ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ବିଜ୍ଞାପନ ରାଜସ୍ୱ କ୍ଷତିର ଭରଣା କରିବା ନିମନ୍ତେ ମୁଦ୍ରିତ ଓ ଡ଼ିଜିଟାଲ ସଂସ୍କରଣର ଗ୍ରାହକ ଚ଼ାନ୍ଦା ଓ ପାଠକୀୟ ଦାନ ସଂଗ୍ରହକୁ ଗୁରୁତ୍ୱ ଦିଆଯାଇ ଥିଲା । ଫଳରେ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରେ କ୍ଷତିର ପରିମାଣ ୨ କୋଟି ୫୦ ଲକ୍ଷ ପାଉଣ୍ଡ (ଭାରତୀୟ ମୁଦ୍ରାରେ ପ୍ରାୟ ୨୧୨ କୋଟି ଟଙ୍କା) ଅର୍ଥାତ ଗତବର୍ଷ ତୁଳନାରେ ଅର୍ଦ୍ଧେକସ୍ତରକୁ ଖସି ଆସିବା ଆଶା କରାଯାଉଛି ।


 

'ଗାର୍ଡ଼ିଆନ'ର ମୁଦ୍ରିତ ଓ ଡ଼ିଜିଟାଲ ସଂସ୍କରଣ ନିମନ୍ତେ ୨ ଲକ୍ଷ ପାଠକ ଗ୍ରାହକ ଶ୍ରେଣୀଭୁକ୍ତ ହୋଇଛନ୍ତି । ସମ୍ୱାଦ ସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଥିବା 'ଗାର୍ଡ଼ିଆନ ମେମ୍ୱରସିପ' ଯୋଜନାରେ ୩ ଲକ୍ଷ ପାଠକ ମାସିକ ଦାନ ଦେବା ନିମନ୍ତେ ସମ୍ମତ୍ତି ପ୍ରଦାନ କରିଥିବା ସ୍ଥଳେ ଆଉ ୩ ଲକ୍ଷ ପାଠକ ଥରୁଟିଏ ପାଇଁ ଦାନ ପ୍ରଦାନ କରିଛନ୍ତି । ସର୍ବମୋଟ ୮ ଲକ୍ଷ ପାଠକ ସ୍ୱତଃପ୍ରବୃତ୍ତଭାବେ 'ଗାର୍ଡ଼ିଆନ' ସାମ୍ୱାଦିକତା ପ୍ରତି ସମର୍ଥନ ଜଣାଇ ଆର୍ଥିକ ଦିଗରୁ ପ୍ରତିଶୃତିବଦ୍ଧ ହୋଇଛନ୍ତି । ବିଶ୍ୱ ସାଂବାଦିକତା ଇତିହାସରେ ଏହି ରାଜସ୍ୱ ମଡ଼େଲ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।


 

'ଗାର୍ଡ଼ିଆନ'ର ଗ୍ରାହକ ଚ଼ାନ୍ଦା ଓ ଦାନ ବିଶ୍ୱବ୍ୟାପୀ ୧୪୦ ଗୋଟି ରାଷ୍ଟ୍ରରୁ ଆଦାୟ ହୋଇଛି ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ପାଠକମାନେ ସର୍ବାଧିକ ଦାନ ଦେଇଛନ୍ତି । ଗତ ସାତ ମାସର ହିସାବରେ 'ଗାର୍ଡ଼ିଆନ' ଡ଼ିଜିଟାଲ ସଂସ୍କରଣର ହାରାହାରି ପାଠକ ସଂଖ୍ୟା ମାସିକ ୧୬ କୋଟି ସୀମା ଛୁଉଁଥିବା ଆକଳନ କରାଯାଇଛି । 'ଗାର୍ଡ଼ିଆନ'ର ଆଲୋଚ଼୍ୟ ରାଜସ୍ୱ ସଂସ୍କାର ଅଭିଯାନ ଗତ ୨୦୧୬ରୁ ଆରମ୍ଭ ହୋଇଛି ଏବଂ ୨୦୧୯ ଏପ୍ରିଲ ମାସ ସୁଦ୍ଧା ବ୍ୟୟ ତୁଳନାରେ ଗ୍ରାହକ ଚ଼ାନ୍ଦା ଆୟ ସମତୁଲ ହେବାର ଆଶା କରାଯାଉଛି ।


 

'ଗାର୍ଡ଼ିଆନ' ଏକ ସ୍ୱାଧୀନ ଟ୍ରଷ୍ଟ ମାଲିକାନାରେ ପରିଚ଼ାଳିତ । ଉତ୍ତମ ସମ୍ୱାଦିକତା ଡ଼ିଜିଟାଲ ଅବତାରରେ ବିସ୍ତୃତ ପାଠକଶ୍ରେଣୀ ମଧ୍ୟରେ ପରିବ୍ୟାପ୍ତ ହୋଇପାରିଲେ ବିଜ୍ଞାପନ ରାଜସ୍ୱଠାରୁ ଗ୍ରାହକ ଚ଼ାନ୍ଦା ଟପି ପାରିବା ସମ୍ଭବପର ବୋଲି 'ଗାର୍ଡ଼ିଆନ' ଜର୍ଣ୍ଣାଲିଜମ ପ୍ରମାଣିତ କରିପାରିଛି । 'ଗାର୍ଡ଼ିଆନ' ଡ଼ିଜିଟାଲ ସଂସ୍କରଣ ପାଠକମାନଙ୍କୁ ଗ୍ରାହକ ହେବା ନିମନ୍ତେ ବାଧ୍ୟ କରିନଥାଏ । ଅର୍ଥାତ ଏଠାରେ 'ପେ-ୱାଲ' ନଥାଏ । ଜଣେ ପାଠକ ବିନା ଦେୟରେ ଯେ କୌଣସି ସମ୍ୱାଦ ପଢ଼ିପାରେ । ତେବେ ପ୍ରକାଶିତ ପ୍ରତ୍ୟେକ ସମ୍ୱାଦ ଶେଷରେ ସମ୍ୱାଦିକତାର ଉନ୍ନତିକଳ୍ପେ ଗ୍ରାହକ ଚ଼ାନ୍ଦା, ମାସିକ ବା ଥରକ ଦାନ ଦେବା ନିମନ୍ତେ ଅନୁରୋଧ କରାଯାଇଥାଏ । ଏହିଭଳି ନିବେଦନ 'ଗାର୍ଡ଼ିଆନ' ପାଇଁ ବିପୁଳ ଅର୍ଥ ସଂଗ୍ରହର ମାଧ୍ୟମ ପାଲଟିଥିବା ଗଣମାଧ୍ୟମ ସମୀକ୍ଷକମାନଙ୍କୁ ବିସ୍ମିତ କରୁଛି ।


 

'ଗାର୍ଡିଅନ'ର ମୁଦ୍ରିତ ସଂସ୍କରଣ ଖଣ୍ଡପିଛା ୨ ପାଉଣ୍ଡ (ଭାରତୀୟ ମୁଦ୍ରାରେ ପ୍ରାୟ ୧୭୦ ଟଙ୍କା) ବଜାରରେ ବିକ୍ରି ହୋଇଥାଏ । ମାସିକ ଗ୍ରାହକମାନେ ଖଣ୍ଡ ପିଛା ୧.୬ ପାଉଣ୍ଡ (ଭାରତୀୟ ମୁଦ୍ରାରେ ପ୍ରାୟ ୧୩୬ ଟଙ୍କା) ଦେଇଥାନ୍ତି । ତେବେ ସମ୍ୱାଦସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଥିବା ମାସିକ ସଭ୍ୟ ଚ଼ାନ୍ଦା ବାବଦରେ ଗ୍ରାହକମାନେ ୬୦ ପାଉଣ୍ଡ (ଭାରତୀୟ ମୁଦ୍ରାରେ ପ୍ରାୟ ୫୧୦୦ ଟଙ୍କା) ସ୍ୱତଃ ପ୍ରବୃତ୍ତଭାବେ ଦାନ କରିଥାନ୍ତି । ଏହାବାଦେ ଏକକାଳୀନ ଅନିର୍ଦ୍ଧିଷ୍ଟ ଦାନର ବ୍ୟବସ୍ଥା ମଧ୍ୟ ରହିଛି । ସମ୍ୱାଦପତ୍ରର ମୁଦ୍ରିତ ବା ଡ଼ିଜିଟାଲ ସମ୍ୱାଦପଢ଼ିବାପରେ ଏହାର ଉତ୍ତମ ସାମ୍ୱାଦିକତାରେ ପ୍ରୀତ ହୋଇ ପାଠକମାନେ ଏଭଳି ଆର୍ଥିକ ସହଯୋଗର ହାତ ବଢ଼ାଇଥାନ୍ତି ।



'ଗାର୍ଡ଼ିଆନ' ସମକାଳରେ ଆନ୍ତର୍ଜାତିକସ୍ତରରେ ଇଂଲିଶ ଭାଷାରେ ତୃତୀୟ ବୃହତ ସମ୍ୱାଦସଂସ୍ଥାରୂପେ ସ୍ୱୀକୃତି ହାସଲ କରିଛି । ସମ୍ୱାଦ ଶିଳ୍ପରେ ମନ୍ଦାବସ୍ଥା ଲାଗି ରହିଥିବା ସ୍ଥଳେ 'ଗାର୍ଡ଼ିଆନ'ର ଜୟଯାତ୍ରା ମୁଖ୍ୟତଃ ଭବିଷ୍ୟତମୁଖୀ ଯୋଜନା ପ୍ରଣୟନ ଓ ଆଧୁନିକ କମ୍ପ୍ୟୁଟରଭିତ୍ତିକକ ତଥ୍ୟ ବିଶ୍ଳେଷଣ ବୈଷୟିକ କୌଶଳ ଉପଯୋଗ ଯୋଗୁଁ ସଂଭବପର ହୋଇପାରିଛି । 'ଗାର୍ଡ଼ିଆନ'ର ଡ଼ିଜିଟାଲ ସଂସ୍କରଣକୁ କେଉଁମାନେ ବେଳେ ବେଳେ ପଢୁଛନ୍ତି, କେଉଁମାନେ ନିୟମିତ ପଢୁଛନ୍ତି ଓ କେଉଁମାନେ ଆର୍ଥିକ ସହଯୋଗ ପ୍ରଦାନ ନିମନ୍ତେ ପ୍ରସ୍ତୁତ ସେଭଳି ତଥ୍ୟ ହାସଲ ପରେ ବ୍ୟାବସାୟିକ ଆବେଦନ ଗ୍ରାହକ ଚ଼ାନ୍ଦା ସଂଗ୍ରହ ଅଭିବୃଦ୍ଧିରେ ସହାୟତା ଯୋଗାଉଛି । ଏହିଭଳି ସାଂଗଠନିକ ପରିଚ଼ାଳନା କୌଶଳ ଭବିଷ୍ୟତରେ ସାମ୍ୱାଦିକତା ପ୍ରତିଷ୍ଠାନଗୁଡ଼ିକର ବ୍ୟବସାୟକୁ ପ୍ରଭାବିତ କରିବା ଆଶା କରାଯାଇପାରେ ।


 

'ଗାର୍ଡ଼ିଆନ' ଉଦାହରଣ ଆଲୋଚ଼ନା କଲାବେଳେ ସେଠାକାର ଓ ଆମ ଓଡ଼ିଶାର ସାମ୍ୱାଦିକତା ବ୍ୟବସାୟର ମାଲିକାନା, ପ୍ରକାଶନ ଉଦ୍ଦେଶ୍ୟ ଓ ପାଠକଙ୍କ ମଧ୍ୟରେ ବହୁ ତାରତମ୍ୟ ଦେଖିବାକୁ ମିଳିଥାଏ । ତେବେ ସ୍ୱାଧୀନଭାବେ ପରିଚାଳିତ କେତେକ ଅଳ୍ପ ପ୍ରସାରିତ ସମ୍ୱାଦ ସଂସ୍ଥାର ଏଥିରୁ କିଛି ଶିଖିବାର ଅଛି । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୦ ନଭେମ୍ୱର ୨୦୧୭

ତଥ୍ୟ:


<www.theguardian.com>

ଦୁଇଶହ ବର୍ଷରେ 'ଦି ଗାର୍ଡିଆନ'

ପ୍ରଭାବଶାଳୀ ବ୍ରିଟିଶ ଦୈନିକ ସମ୍ୱାଦପତ୍ର ‘ଦି ଟାଇମ୍ସ’, ‘ଦି ଇଣ୍ଡିପେଣ୍ଡେଣ୍ଟ’ ଇତ୍ୟାଦି ମଧ୍ୟରେ ‘ଦି ଗାର୍ଡ଼ିଆନ’ର ସ୍ଥାନ ସ୍ୱତନ୍ତ୍ର । ଉଦାରପନ୍ଥୀ ଏହି ପ୍ରକାଶନର ୨୦୦ତମ ଜନ୍ମବାର୍ଷକୀ ୨୦୨୧ ମେ ପ୍ରଥମ ସପ୍ତାହରେ ପାଳିତ ହୋଇଛି । ବ୍ରିଟେନର ତତ୍ କାଳୀନ କଳତନ୍ତ ସମୃଦ୍ଧ ମାଞ୍ଚେଷ୍ଟରରୁ ୫ମେ’ ୧୮୨୧ରେ ‘ଦି ମାଞ୍ଚେଷ୍ଟର ଗାର୍ଡ଼ିଆନ’ ନାମରେ ଆତ୍ମପ୍ରକାଶ କରି ୧୯୫୯ରେ ‘ଦି ଗାର୍ଡ଼ିଆନ’ରେ ରୂପାନ୍ତରିତ ହୋଇଥିଲା । ଦୀର୍ଘ ଦୁଇ ଶତାଦ୍ଦୀ ଧରି ନିରବିଚ୍ଛିନ୍ନ ପ୍ରକାଶନ ଜାରୀ ରଖିଥିବା ସମ୍ୱାଦପତ୍ରର ମୁଦ୍ରିତ ସଂସ୍କରଣ ଅଧୁନା ଲଣ୍ଡନରୁ ପ୍ରକାଶିତ ହେଉଥିବା ସ୍ଥଳେ ପ୍ରସାର ସଂଖ୍ୟା ପ୍ରାୟ ଏକ ଲକ୍ଷ ଦଶହଜାର ।


 

ଡ଼ିଜିଟାଲ ମଞ୍ଚରେ ‘ଦି ଗାର୍ଡ଼ିଆନ’ ପ୍ରକାଶନ ଏବଂ ଆନ୍ତର୍ଜାତିକସ୍ତରରେ ପାଠକ ସୃଷ୍ଟି ଏହାର ବିଶେଷତ୍ୱ । ‘ଗାର୍ଡ଼ିଆନ ଅନଲିମିଟେଡ଼’ ନାମରେ ସମ୍ୱାଦ ୱେବସାଇଟ ୧୯୯୭ରେ ଆରମ୍ଭ କରି ସମ୍ୱାଦ ପରିବେଷଣରେ ଭୌଗଳିକ ସୀମାପାର ଉଦ୍ୟମରେ ଫଳବତୀ ହୋଇଥିଲା । ୨୦୧୩ରେ ଆଷ୍ଟ୍ରେଲିଆ ଓ ୨୦୧୪ରେ ଯୁକ୍ତରାଷ୍ଟ୍ର ଆମେରିକା ସ୍ୱତନ୍ତ୍ର ଡ଼ିଜିଟାଲ ସଂସ୍କରଣମାନ ପ୍ରକାଶ ପାଇଥିଲା । ସମ୍ୱାଦମଞ୍ଚଗୁଡ଼ିକ ପାରମ୍ପରିକଭାବେ ବିଜ୍ଞାପନ ରାଜସ୍ୱ ସମୃଦ୍ଧ ହୋଇଆସିଥିବା ସ୍ଥଳେ ‘ଦି ଗାର୍ଡ଼ିଆନ’ର ଗ୍ରାହକ ଚାନ୍ଦା ଆୟ ୨୦୧୭ ସୁଦ୍ଧା ବିଜ୍ଞାପନ ଆୟର ସମକକ୍ଷ ହୋଇପାରିଥିବା ଗୁରୁତ୍ୱପୂର୍ଣ୍ଣ ।


 

‘ଦି ଗାର୍ଡ଼ିଆନ’ ଜନ୍ମକାଳରୁ ପ୍ରଚଳିତ ବ୍ୟବସ୍ଥା ବିରୋଧୀ ସ୍ୱରରେ ଶାଣିତ । ମାଞ୍ଚେଷ୍ଟରରେ ଏକ ଗଣତାନ୍ତ୍ରିକ ସମାବେଶରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହେତୁ ମୃତାହତ ଘଟଣାକୁ ବିରୋଧକରି ଜନ ଏଡ଼ୱାର୍ଡ ଟେଲର ନାମକ ଜଣେ ୨୮ ବର୍ଷ ବୟସ୍କ ବ୍ୟବସାୟୀ ‘ଦି ମାଞ୍ଚେଷ୍ଟର ଗାର୍ଡ଼ିଆନ’ ପ୍ରକାଶନ ଆରମ୍ଭ କରିଥିଲେ । ବିଗତ ଦୁଇ ଶତାଦ୍ଦୀ ଧରି ସମ୍ୱାଦପତ୍ରର ଆଭିମୁଖ୍ୟ ଅପରିବର୍ତ୍ତିତ ରହିଛି । ଅନ୍ୟାନ୍ୟ ଉଲ୍ଲେଖଯୋଗ୍ୟ ବିଭବ ମଧ୍ୟରେ ପାରମ୍ପରିକଭାବେ ସମ୍ୱାଦ ମଞ୍ଚର ଲାଭାଂଶ ନିବେଶକମାନଙ୍କ ମଧ୍ୟରେ ବିତରିତ ନହୋଇ ସାମ୍ୱାଦିକତାର ଉନ୍ନତିକଳ୍ପେ ବ୍ୟୟ କରାଯାଏ । ସମ୍ୱାଦପତ୍ରରେ କାର୍ଯ୍ୟରତ ପ୍ରାୟ ହଜାରେ କର୍ମଚାରୀ ମୁକ୍ତ ଭୋଟ ଜରିଆରେ ମୁଖ୍ୟ ସଂପାଦକଙ୍କୁ ନିର୍ବାଚ଼ିତ କରିଥାନ୍ତି ଇତ୍ୟାଦି ।


 

‘ଦି ଗାର୍ଡ଼ିଆନ’ର ସଂପାଦକ ପଚାଶ ବର୍ଷିୟା କାଥେରିନା ଭିନାର ଉକ୍ତ ସମ୍ୱାଦପତ୍ରର ଇତିହାସରେ ପ୍ରଥମ ମହିଳାଭାବେ ୨୦୧୫ରେ ଦାୟିତ୍ୱ ଗ୍ରହଣ କରିଥିଲେ । ବିଭିନ୍ନ ପଦବୀରେ ନିଯୁକ୍ତ ଭିନାର ଫିଚର ସଂପାଦକ ଓ ଆଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକାରେ ଡ଼ିଜିଟାଲ ମଞ୍ଚ ସଂଯୋଜକ ଭାବେ ପୂର୍ବରୁ ଅବସ୍ଥାପିତ ହୋଇଥିଲେ । ସେ ୧୯୯୫ରୁ ୨୦୧୫ ଯାଏଁ ସଂପାଦକ ଥିବା ଆଲାନ ରସବ୍ରିଡ଼ଜେରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ‘ଦି ଗାର୍ଡ଼ିଆନ’ର ୨୦୦ତମ ଜନ୍ମବାର୍ଷକୀ ସଂସ୍କରଣର ସମ୍ପାଦକୀୟରେ ସମ୍ୱାଦପତ୍ରର ଇତିହାସକୁ ସିଂହାବଲୋକନ କରି ବହୁ ବିଷୟରେ ସେ ଚର୍ଚ୍ଚା କରିଛନ୍ତି । ସେଥିମଧ୍ୟରୁ ‘କୋଭିଡ଼-୧୯’ ଓ ‘ସ୍ପାନିଶ ଫ୍ଲୁ’ ମହାମାରୀ ଅନ୍ୟତମ ।


 

‘କୋଭିଡ଼-୧୯’ ସଂକ୍ରମଣ ଆରମ୍ଭ ହେବା କାଳରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ତଦଜନିତ ତଥ୍ୟ ପ୍ରକାଶରେ ବିଭିନ୍ନସ୍ତରରେ ଗୋପନୀୟତାକୁ ଆକ୍ଷେପ କରାଯାଇଆସିଛି । ପ୍ରକୃତ ତଥ୍ୟ ଅଭାବରୁ ସଂକ୍ରମଣର ଭବିଷ୍ୟତ ଆକଳନ ତଥା ପ୍ରତିଷେଧାତ୍ମକ ପଦକ୍ଷେପ ପ୍ରଯୋଜନାରେ ସଂଘଟିତ ତୃଟି ସ୍ଥଳବିଶେଷରେ ଜୀବନହାନୀର କାରଣ ପାଲଟିଛି । ଭିନାର ତାଙ୍କରି ସମ୍ପାଦକୀୟରେ ଦର୍ଶାଇଛନ୍ତି ଯେ ୧୯୧୮ରୁ ୨୦ ମଧ୍ୟରେ ‘ସ୍ପାନିଶ ଫ୍ଲୁ’ ସଂପର୍କରେ ଆଶ୍ଚର୍ଯ୍ୟଜନକଭାବେ ‘ଦି ଗାର୍ଡ଼ିଆନ’ ସମ୍ୱାଦପତ୍ରରେ ମଧ୍ୟ ବିଶେଷ ଉଲ୍ଲେଖ ନଥିଲା ।


 

ସେ ଫରାସୀ ମହିଳା ସାମ୍ୱାଦିକ ଲଉରା ସ୍ପିନେଙ୍କ ଦ୍ୱାରା ୨୦୧୭ରେ ‘ସ୍ପାନିଶ ଫ୍ଲୁ’ ସଂପର୍କରେ ପ୍ରକାଶିତ ପୁସ୍ତକରୁ ଉଦ୍ଧାର କରି କହିଛନ୍ତି ଯେ ଲଉରା ମହାମାରୀ ସଂପର୍କରେ ଗବେଷଣା ଆରମ୍ଭ କରିବା ବେଳେ  ବିଶ୍ୱବ୍ୟାପୀ ମାତ୍ର ୪୦୦ ଗୋଟି ପୁସ୍ତକରେ ମହାମାରୀର ବର୍ଣ୍ଣନା ଉପଲବ୍ଧ ଥିବା ସ୍ଥଳେ ପ୍ରଥମ ବିଶ୍ୱଯୁଦ୍ଧ ସଂପର୍କରେ ଅଶୀ ହଜାର ପୁସ୍ତକ ରଚନା କରାଯାଇଥିଲା । ଅଥଚ଼ ପ୍ରଥମ ବିଶ୍ୱଯୁଦ୍ଧ ତୁଳନାରେ ‘ସ୍ପାନିଶ ଫ୍ଳୁ’ରେ ଅଧିକ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ । ସେ ସମୟରେ ସଂକ୍ରମଣ ରୋକିବା ନିମନ୍ତେ ଚ଼ିକିତ୍ସା କିମ୍ୱା ପ୍ରତିଷେଧକ ଅଭାବ ହେତୁ ମହାମାରୀର ଭୟାବହତା ସର୍ବସାଧାରଣରେ ପ୍ରକାଶିତ ହେଲେ ସାମାଜିକ ବିଶୃଙ୍ଖଳା ସୃଷ୍ଟି ଆଶଙ୍କାରେ ଉଭୟ ସରକାରୀ ଓ ସମ୍ୱାଦପତ୍ରସ୍ତରରେ ସମ୍ୱାଦ ପ୍ରସାରଣ ଆକଟ କରାଯାଉଥିଲା ।


 

ଶହେବର୍ଷ ପରେ ‘କୋଭିଡ଼-୧୯’ ମହାମାରୀ କାଳରେ ଆନ୍ତର୍ଜାତିକସ୍ତରରେ କେତେକ ଅଞ୍ଚଳରେ ସରକାରୀ କ୍ଷେତ୍ରରେ ପ୍ରକୃତ ତଥ୍ୟ ପ୍ରକାଶଜନିତ କଟକଣା ବଳବତ୍ତର ରହିଥିଲେହେଁ ଡିଜିଟାଲ ମଞ୍ଚର ପ୍ରଶସ୍ତି ଭୟାବହତାର ବାସ୍ତବ ସ୍ଥିତି ପାଠ୍ୟ, ଦୃଶ୍ୟ ଓ ଶ୍ରାବ୍ୟ ଆଙ୍ଗିକରେ ବିଶ୍ୱ ଜନସଂଖ୍ୟାର ଅର୍ଦ୍ଧାଧିକ ଇଣ୍ଟରନେଟ ସଂଯୁକ୍ତଙ୍କଠାରେ ପହଞ୍ଚିପାରୁଛି । ‘ଦି ଗାର୍ଡ଼ିଆନ’ ଡିଜିଟାଲ ପରିବେଶରେ ମହାମାରୀର ଢେର ପୂର୍ବରୁ ନିଜ ସ୍ଥିତିକୁ ସୁଦୃଢ଼ କରିସାରିଥିବା ହେତୁ ସମ୍ୱାଦ ସରବରାହରେ ଉତ୍କର୍ଷତା ଆହରଣ ନିମନ୍ତେ ଉଦ୍ୟମ ଅବ୍ୟାହତ ରଖିବାରେ ସମର୍ଥ ହୋଇଛି । ଡ଼ିଜିଟାଲ ଇତିହାସ ଚଳିତ ମହାମାରୀର ବୈଶିଷ୍ଟ୍ୟ ରୂପେ ପରିଗଣିତ ହେବ ।


 

‘ଦି ଗାର୍ଡ଼ିଆନ’ର ୧୦୦ତମ ଜନ୍ମବାର୍ଷକୀରେ ତତ୍କାଳୀନ ସମ୍ପାଦକ ସି.ପି.ସ୍କଟ ଉଲ୍ଲେଖ କରିଥିଲେ ଯେ ସମ୍ୱାଦପତ୍ର ପ୍ରକାଶନରେ ଦୁଇଗୋଟି ଅଭିମୁଖ୍ୟ ଅର୍ନ୍ତନିହିତ । ଏକପକ୍ଷରେ ଅନ୍ୟ ଯେକୌଣସି ବ୍ୟବସାୟ ଭଳି ସମ୍ୱାଦପତ୍ର ପ୍ରକାଶନ ମଧ୍ୟ ଏକ ବ୍ୟବସାୟ । ଅର୍ଥାତ, ଲାଭ ଏକତ୍ରୀତ କରିବାଲାଗି ବ୍ୟଗ୍ର । କିନ୍ତୁ ଅପରପକ୍ଷରେ ପ୍ରତ୍ୟେକ ସମ୍ୱାଦପତ୍ର ଏକ ଏକ ଅନୁଷ୍ଠାନ । ସମ୍ୱାଦ ଓ ଅଭିମତ ପ୍ରକାଶନରେ ସମାଜକୁ ପ୍ରଭାବିତ କରିବାରେ ଏହାର ଭୂମିକା ଅନନ୍ୟ ସାଧାରଣ । ଏହି ଦୁଇ ଦିଗକୁ ସମତୁଲ କରିବା ପ୍ରକାଶକଙ୍କ ଦାୟିତ୍ୱ ।


 

ମହାମାରୀକୁ ଏକ ଝଡ଼, ବାତ୍ୟା, ତୋଫାନ ସହ ତୁଳନା କରାଯାଇପାରେ । ଏହାର ସମ୍ମୁଖୀନ-ପୂର୍ବ ସ୍ଥିତାବସ୍ଥା ଉତ୍ତରଣ କାଳରେ ଆଶା କରିବା ବୃଥା । ଭିନାର ନିଜ ସମ୍ପାଦକୀୟରେ ଲେଖିଛନ୍ତି, ପରିବର୍ତ୍ତିତ ପରିବେଶରେ ସମ୍ୱାଦମଞ୍ଚ ଉପଭୋକ୍ତାମାନଙ୍କୁ ଉଚ଼ିତ ଦିଗଦର୍ଶନ ଦେବା ସାମ୍ୱାଦିକତାର ଧର୍ମ । ଚଳନ୍ତି ପ୍ରବାହର ତଥ୍ୟ, ଘଟଣାବଳୀ ଓ ଅନୁଶୀଳନ ସାମାଜିକସ୍ତରରେ ଭବିଷ୍ୟତ ଗଢ଼ିତୋଳିବାରେ କେତେଦୂର ସହାୟକ ହୋଇପାରୁଛି, ତାହା ହିଁ ସାମ୍ୱାଦିକତାର ଉତ୍କର୍ଷତା ପରିମାପରେ ପର୍ଯ୍ୟବସିତ ହେବ । ମହାମାରୀରେ ସମସ୍ତେ ପ୍ରଭାବିତ ହୋଇଥିବା ସ୍ଥଳେ ପ୍ରତ୍ୟେକଙ୍କ ବ୍ୟକ୍ତିଗତ ଜୀବନରେ ଏହାର ପ୍ରଭାବ ଭିନ୍ନ । ତେବେ ସାମୂହିକ ଅନୁଭୂତି ସାମ୍ୱାଦିକତାରେ ପ୍ରତିଫଳିତ ହେବା ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । 

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ମେ ୨୦୨୧


ତଥ୍ୟ:



Vinar, Katharine. Times change but the Guardian’s values don’t : 200 years, and we’ve only just begun. www.theguardian.com. May 5, 2021


 

https://www.theguardian.com/media/2021/may/05/guardian-200-anniversary-covid-pandemic-journalism-editor-mission

ଦି ନ୍ୟୂୟର୍କ ଟାଇମ୍ସ ମଡ଼େଲ

ଯୁକ୍ତରାଷ୍ଟ୍ର ଆମେରିକାରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ମୁଦ୍ରିତ ସମ୍ୱାଦ ମଞ୍ଚରେ ବିଘଟନ ଆନ୍ତର୍ଜାତିକସ୍ତରରେ ଚର୍ଚ୍ଚିତ । ଆମେରିକାର ନର୍ଥ କାରୋଲିନ ବିଶ୍ୱବିଦ୍ୟାଳୟର ‘ହସମେନ ସ୍କୁଲ ଅଫ ଜର୍ଣ୍ଣାଲିଜମ ଏଣ୍ଡ ମିଡ଼ିଆ’ପକ୍ଷରୁ ଆୟୋଜିତ ଅଧ୍ୟୟନରେ ୨୦୦୪ ରୁ ୨୦୨୦ ମଧ୍ୟରେ ୧,୮୦୦ ଗୋଟି ମୁଦ୍ରିତ ସମ୍ୱାଦପତ୍ର ବନ୍ଦ ହୋଇଯାଇଥିବା ପ୍ରକାଶ । ଏଥି ମଧ୍ୟରେ ୬୦ ଗୋଟି ଦୈନିକ ଓ ୧,୭୦୦ ଗୋଟି ସାପ୍ତାହିକ ଅନ୍ତର୍ଭୁକ୍ତ । ଆମେରିକାରେ ୭,୧୧୨ ଗୋଟି ମୁଦ୍ରିତ ସମ୍ୱାଦପତ୍ର ୨୦୨୦ ସୁଦ୍ଧା ପ୍ରକାଶ ପାଉଥିବା ସ୍ଥଳେ ଏଥିମଧ୍ୟରୁ ୧,୨୮୩ ଗୋଟି ଦୈନିକ ଓ ୫,୮୨୯ ଗୋଟି ସାପ୍ତାହିକ । ଅର୍ଦ୍ଧେକ ଗ୍ରାମାଞ୍ଚଳରୁ ପ୍ରକାଶିତ ଏବଂ ପ୍ରାୟ ୫,୫୦୦ ମୁଦ୍ରିତ ସମ୍ୱାଦପତ୍ରର ପ୍ରସାର ସଂଖ୍ୟା ୧୫,୦୦୦ କପିରୁ କମ ।

 

ଏହି ପରିସଂଖ୍ୟାନରୁ ଆମେରିକାରେ ସମକାଳୀନ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନର ତିନିଗୋଟି ପ୍ରବାହମାନ ଧାରା ‘ଟ୍ରେଣ୍ଡ’ ପରିଲକ୍ଷିତ । ପ୍ରଥମତଃ, ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ଦୈନିକ ତୁଳନାରେ ସାପ୍ତାହିକ ସଂଖ୍ୟା ଅଧିକ । ଦ୍ୱିତୀୟତଃ, ଅର୍ଦ୍ଧେକ ଗ୍ରାମାଞ୍ଚଳରୁ ପ୍ରକାଶିତ ଓ କ୍ଷୁଦ୍ର ସମ୍ୱାଦପତ୍ର ପର୍ଯ୍ୟାୟଭୁକ୍ତ । ତୃତୀୟତଃ, ପରିବର୍ତ୍ତିତ ପରିବେଶରେ ବନ୍ଦ ହୋଇଯାଉଥିବା ସାପ୍ତାହିକ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ସଂଖ୍ୟା ଅଧିକ ।

 

ଯୁକ୍ତରାଷ୍ଟ୍ର ଆମେରିକାର ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ସଂପର୍କୀତ ଅଧ୍ୟୟନଆଶ୍ରିତ ତଥ୍ୟାବଳୀ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ ମଧ୍ୟ ଆଶା କରାଯାଏ । ଭାରତର ଉଦାହରଣ ବିଚାରକୁ ନେଲେ ବିକଶିତ ଆମେରିକାରେ ଅନୁଭୂତ ମୁଦ୍ରିତ ସମ୍ୱାଦପତ୍ରଶିଳ୍ପରେ ବିଘଟନ ଏଠାରେ କିଛି କାଳ ବିଳମ୍ୱରେ ଅନୁଭୂତ ହୋଇଛି । ଭାରତରେ ମୁଦ୍ରିତ ସମ୍ୱାଦପତ୍ରର ସ୍ଥିତାବସ୍ଥା ଜାଣିବାରେ ଦୁଇଗୋଟି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ପ୍ରଥମତଃ, ଆଗ୍ରହ, ପ୍ରୋତ୍ସାହନ ଓ ଆର୍ଥିକ ନିବେଶ ଅଭାବରୁ ଏଦିଗରେ ଅଧ୍ୟୟନ ସମ୍ଭବ ହୋଇପାରିନଥାଏ । ଦ୍ୱିତୀୟତଃ, ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ପକ୍ଷରୁ ସମ୍ମୁଖୀନ ବିଘଟନକୁ ୨୦୨୨ ଆରମ୍ଭ ସୁଦ୍ଧା ସ୍ୱୀକାର ହିଁ କରାଯାଇପାରି ନାହିଁ । ଫଳରେ ପ୍ରକୃତ ତଥ୍ୟ ସଂଗ୍ରହ ସମସ୍ୟାବହୁଳ । ଅବଶ୍ୟ ସମ୍ୱାଦପତ୍ର ମୁଦ୍ରଣ କାଗଜ ଆମଦାନୀ, ବ୍ୟବହାର ଭଳି ଉପଲବ୍ଧ ପାରିପାର୍ଶ୍ୱିକ ତଥ୍ୟ ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର ଦୁର୍ଦ୍ଦଶାର ସୂଚନା ଦେଇଥାଏ ।

 

ନର୍ଥ କାରୋଲିନ ବିଶ୍ୱବିଦ୍ୟାଳୟର ମୁଦ୍ରିତ ସମ୍ୱାଦପତ୍ର ଗବେଷଣା ପ୍ରକଳ୍ପର ଅଧ୍ୟକ୍ଷ ପେନି ଆବେରନାଥି ମୁଦ୍ରିତ ସମ୍ୱାଦପତ୍ର ବନ୍ଦ ହୋଇଯିବା ଫଳରେ ସେଠାକାର ସାମାଜିକ କ୍ଷେତ୍ରରେ କ’ଣ ସବୁ ଅସୁବିଧା ସୂତ୍ରପାତ ହେଉଛି ତାହାର ବିଶଦ ବିବରଣୀ ଉପସ୍ଥାପିତ କରିଥିଲେ । ଆମେରିକାରେ ବନ୍ଦ ହୋଇଯାଇଥିବା କ୍ଷୁଦ୍ର ସମ୍ୱାଦପତ୍ରଗୁଡ଼ିକ ମଧ୍ୟରୁ କେତେଗୋଟି ଶହେ ବର୍ଷର ପୁରୁଣା । ବନ୍ଦ ପ୍ରଭାବରେ ଅନେକ ଅଞ୍ଚଳ ମୁଦ୍ରିତ ସମ୍ୱାଦପତ୍ର ଶୂନ୍ୟ ମରୁଭୂମି ‘ନିଉଜ ଡ଼େଜାର୍ଟ’ରେ ପରିଣତ ହୋଇଛି । ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ଅଭାବରେ ପ୍ରଶାସନ, ରାଜନୀତି, ବ୍ୟବସାୟ ବିଭିନ୍ନ କ୍ଷେତ୍ରରେ ସ୍ୱଚ୍ଛତା ଓ ଦାୟବଦ୍ଧତା ‘ଟ୍ରାନ୍ସପରେନ୍ସି ଏଣ୍ଡ ଏକାଉଣ୍ଟବିଲିଟି’ ଉଦବେଗଜନକଭାବେ ହ୍ରାସ ପାଉଥିବା ତଥ୍ୟ ସଂଗୃହୀତ । ଗବେଷଣାରୁ ଜଣାଯାଇଛି ଯେ ‘ନିଉଜ ଡ଼େଜାର୍ଟ’ରେ ସାଧାରଣ ଭୋଟରଙ୍କ ରାଜନୀତିକ ଅଂଶଗ୍ରହଣ ହ୍ରାସ ପାଉଥିବା ସ୍ଥଳେ ପ୍ରଶାସନିକ ଟିକସ ପରିମାଣ ବୃଦ୍ଧି ପାଇବାରେ ଲାଗିଛି ।

 

ପେନି ଆବେରନାଥିଙ୍କ ଗବେଷଣାର ନିଷ୍କର୍ଷ ଭାରତ ତଥା ଓଡ଼ିଶାର ବିକାଶଶୀଳ ଅର୍ଥନୀତିରେ ଗଣମାଧ୍ୟମ ନୀତି ନିର୍ଦ୍ଧାରଣରେ ହିତକର ବିଶ୍ୱାସ କରାଯାଇପାରେ । ମୁଦ୍ରିତ ସମ୍ୱାଦପତ୍ରର ଦୁର୍ବଳ ସ୍ଥିତି ୨୦୨୨ ଆରମ୍ଭ ସୁଦ୍ଧା ବହୁ ସାମାଜିକ ସମସ୍ୟାର ପୂର୍ବ-ସୂଚ଼ନା ପ୍ରଦାନ କରିସାରିଥିବା ସ୍ଥଳେ ଭବିଷ୍ୟତ ଲାଗି ସଜାଗ ହେବା ସମୟ ଉପନୀତ । ପେନିଙ୍କ ଅଧ୍ୟୟନର ବିଶଦ ବିବରଣୀ ‘ୟୁଏସନିଉଜଡ଼େଜାର୍ଟସ ଡଟ କମ’ରେ ଉପଲବ୍ଧ ।

 

ଆମେରିକାରେ ମୁଦ୍ରିତ ସମ୍ୱାଦପତ୍ର ଦୁର୍ଦ୍ଦିନର ସମ୍ମୁଖୀନ ହୋଇଥିବା ଅବସରରେ ସମସ୍ୟାବଳୀର ମୁକାବିଲା ଲାଗି ସମ୍ୱାଦମଞ୍ଚଗୁଡ଼ିକ ପକ୍ଷରୁ ବହୁ ପରୀକ୍ଷାମୂଳକ ଯୋଜନା ହାତକୁ ନିଆଯାଇଥାଏ । ଏହି ପରିବେଶରେ ସମ୍ଭ୍ରାନ୍ତ ‘ଦି ନ୍ୟୂୟର୍କ ଟାଇମ୍ସ’ ପକ୍ଷରୁ ସାମ୍ୱାଦିକତାର ଗୁଣବତ୍ତା ବିକାଶରେ ନିବେଶ ସୁଫଳ ପ୍ରଦାନ କରିଥିବା ଉଦାହରଣ ଗଣମାଧ୍ୟମ ପରିଧିରେ ଆଶା ସଞ୍ଚାର କରିଥାଏ ।

 

ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ମୁଦ୍ରିତ ସମ୍ୱାଦପତ୍ରର ପ୍ରସାର ସଂଖ୍ୟା ହ୍ରାସ ପ୍ରବାହରେ ନ୍ୟୂୟର୍କ ଟାଇମ୍ସର ପ୍ରସାର ସଂଖ୍ୟା ୨୦୧୧ରେ ୧୩ ଲକ୍ଷ ଥିବା ସ୍ଥଳେ ୨୦୨୧ରେ ୩ ଲକ୍ଷ ୪୩ ହଜାରକୁ ଖସି ଆସିଥିଲା । କିନ୍ତୁ ଅପରପକ୍ଷରେ ଡ଼ିଜିଟାଲ ସଂସ୍କରଣ ଓ ଅନ୍ୟାନ୍ୟ ଉତ୍ପାଦର ଗ୍ରାହକ ସଂଖ୍ୟା ୨୦୨୦ରେ ୫୦ ଲକ୍ଷ ଥିବା ସ୍ଥଳେ ୨୦୨୧ରେ ୫୮ ଲକ୍ଷ ୬୦ ହଜାରକୁ ବୃଦ୍ଧି ପାଇଥିବା ପରିସଂଖ୍ୟାନ ୱେବସାଇଟ ‘ଷ୍ଟାଟିଷ୍ଟା’ରେ ୨୧ ମାର୍ଚ୍ଚ ୨୦୨୨ରେ ପ୍ରକାଶିତ । ନ୍ୟୂୟର୍କ ଟାଇମ୍ସର ୱେବସାଇଟକୁ ହାରାହାରି ମାସିକ ସାତକୋଟି ପରିଦର୍ଶନ ରେକର୍ଡ କରାଯାଇଥାଏ ।

 

ନ୍ୟୂୟର୍କ ଟାଇମ୍ସ ୧୮୫୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ବିଗତ ୧୭୦ ବର୍ଷର ଇତିହାସରେ ମୁଦ୍ରିତ ସମ୍ୱାଦପତ୍ରଟି ଗଣମାଧ୍ୟମ କ୍ଷେତ୍ରରେ ପରିବ୍ୟାପ୍ତ ବିଭିନ୍ନ ବୈଷୟିକ କୌଶଳ ବିନାଦ୍ୱିଧାରେ ଗ୍ରହଣ କରିଆସିଛି । ସମ୍ୱାଦ ମଞ୍ଚଗୁଡ଼ିକର କ୍ରମାଗତ ସମ୍ପାଦକୀୟ, ଆଙ୍ଗିକ ଓ ପାଠକୀୟ ସଂପୃକ୍ତିରେ ପରିବର୍ତ୍ତନ ଗ୍ରାହକ ବନ୍ଧନ ‘ସବସ୍କ୍ରାଇବର ରିଟେନସନ’ରେ ପ୍ରତିଫଳିତ ହେଉଥିବା ‘ଦି ନ୍ୟୂୟର୍କ ଟାଇମ୍ସ’ ମଡ଼େଲରେ ପ୍ରମାଣିତ । ‘ଷ୍ଟାଟିଷ୍ଟା’ ହିସାବ ଅନୁଯାୟୀ ୨୦୧୯ ତୁଳନାରେ ୨୦୨୦ରେ ସମ୍ୱାଦ ଗୁଣବତ୍ତା ବିକାଶରେ ସମ୍ୱାଦ ମଞ୍ଚ ପକ୍ଷରୁ ୨୮ ପ୍ରତିଶତ ଅଧିକ ଖର୍ଚ୍ଚ କରାଯାଇଥିଲା ।

 

ଗଣମାଧ୍ୟମ ସମୀକ୍ଷକ ସାରା ଫିସର ‘ଏକ୍ସିସ ମିଡ଼ିଆ ଟ୍ରେଣ୍ଡସ’ ନିଉଜଲେଟର ୨୬ ଏପ୍ରିଲ ୨୦୨୨ ସଂସ୍କରଣରେ ସୂଚ଼ିତ କରିଥିଲେ ଯେ ନ୍ୟୂୟର୍କ ଟାଇମ୍ସ ସମ୍ପାଦକୀୟ ଅଭିମତ ବିଭାଗ ପରିଚାଳନା ନିମନ୍ତେ ସାମ୍ୱାଦିକ ନିଯୁକ୍ତି ସଂଖ୍ୟା ବିଗତ ପାଞ୍ଚ ବର୍ଷରେ ୨୦୧୭ ତୁଳନାରେ ୨୦୨୨ରେ ଦୁଇଗୁଣ ବୃଦ୍ଧି ଘଟିଛି । ସମ୍ୱାଦ ମଞ୍ଚରେ ମୋଟ ୧୭୦୦ ସାମ୍ୱାଦିକ କାର୍ଯ୍ୟରତ ଥିବା ସ୍ଥଳେ କେବଳ ଅଭିମତ ବିଭାଗ ପ୍ରଯୋଜନା ନିମନ୍ତେ ୧୫୦ ଜଣ ସାମ୍ୱାଦିକ ନିଯୁକ୍ତି ଫଳରେ ନ୍ୟୂୟର୍କ ଟାଇମ୍ସ ନିଜ ଅଭିମତ ନିମନ୍ତେ ଆନ୍ତର୍ଜାତିକ ଗଣମାଧ୍ୟମ ପରିଧିରେ ପ୍ରଭୁତ୍ୱ ବିସ୍ତାର କରିଥାଏ ।

 

ବିଗତ କିଛି ବର୍ଷ ମଧ୍ୟରେ ନ୍ୟୂୟର୍କ ଟାଇମ୍ସ ଡିଜିଟାଲ ସଂସ୍କରଣକୁ ଗୁରୁତ୍ୱ ଦେବା ସଙ୍ଗେ ପଡ଼କାଷ୍ଟ, ଡକ୍ୟୁମେଣ୍ଟରୀ ଫିଲ୍ମ ଇତ୍ୟାଦି ବିଭିନ୍ନ ସମ୍ୱାଦ ଉତ୍ପାଦକୁ ଅଭିମତ ବିଭାଗ ସଂପ୍ରସାରିତ କରିଛି । ଏଥିଲାଗି ବରାବର ନିବେଶ ହୋଇଥାଏ । ଉଦାହରଣରେ ୨୦୨୦ ସୁଦ୍ଧା ଅଡ଼ିଓ ବିଭାଗରେ ମାତ୍ର ଜଣେ ସାମ୍ୱାଦିକ କାର୍ଯ୍ୟରତ ଥିବା ସ୍ଥଳେ ୨୦୨୨ ଆରମ୍ଭ ସୁଦ୍ଧା ୩୫କୁ ବୃଦ୍ଧି ପାଇଥିଲା । ସେହିପରି ନ୍ୟୂୟର୍କ ଟାଇମ୍ସରେ ୨୦୧୧ରୁ ଆରମ୍ଭ ହୋଇଥିବା ଡକ୍ୟୁମେଣ୍ଟରୀ ବିଭାଗ ‘ଓପ-ଡ଼କ୍ସ’ ପ୍ରଯୋଜିତ ‘ଦି କୁଇନ ଅଫ ବାସ୍କେଟବଲ’ ୨୦୨୨ର ଓସ୍କାର ପୁରସ୍କୃତ ହୋଇଥିଲା । ନ୍ୟୂୟର୍କ ଟାଇମ୍ସ ଅଭିମତ ବିଭାଗ ପକ୍ଷରୁ ଡିଜିଟାଲ ଗ୍ରାହକମାନଙ୍କ ନିମନ୍ତେ ୨୦ ରୁ ଉର୍ଦ୍ଧ୍ୱ ନିଉଜଲେଟର ପ୍ରକାଶିତ ।

 

‘ଦି ନ୍ୟୂୟର୍କ ଟାଇମ୍ସ’ ମଡ଼େଲରେ ସମ୍ପାଦକୀୟ ଅଭିମତ ପୃଷ୍ଠାକୁ ଗୁରୁତ୍ୱ ଏବଂ ନିଉଜଲେଟର, ପଡ଼କାଷ୍ଟ ଓ ଡକ୍ୟୁମେଣ୍ଟରୀ ଭଳି ବିଭିନ୍ନ ଆଙ୍ଗିକକୁ ସଂପ୍ରସାରଣ ହେତୁ ଗ୍ରାହକ ସଂଖ୍ୟା ବୃଦ୍ଧିରେ ପର୍ଯ୍ୟବସିତ ହେଉଥିବା ଅଭିଜ୍ଞତା ବିଶ୍ୱବ୍ୟାପୀ ମୁଦ୍ରିତ ସମ୍ୱାଦପତ୍ରର ଗୁଣବତ୍ତା ବିକାଶ ନିମନ୍ତେ ଅନ୍ୟତମ ଉଦାହରଣ । ପାଠକୀୟ ରୁଚି ଲକ୍ଷ୍ୟବଦ୍ଧ ଗୁଣାତ୍ମକ ସାମ୍ୱାଦିକତା ବିକାଶରେ ଅଭିମତ ବିଭାଗର ସଂପ୍ରସାରଣ ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ମୁଦ୍ରିତ ସମ୍ୱାଦପତ୍ର ପକ୍ଷେ ଜରୁରି ହୋଇପଡ଼ିଥିବା ବିଚାର କରାଯାଏ । ଏହିଭଳି ପରିବର୍ତ୍ତନକୁ ଆଧାର କରି ନ୍ୟୂୟର୍କ ଟାଇମ୍ସ ୨୦୨୫ ସୁଦ୍ଧା କୋଟିଏ ଗ୍ରାହକ ସଂଗ୍ରହ ନିମନ୍ତେ ଲକ୍ଷ୍ୟବଦ୍ଧ ଥିବା ସମ୍ୱାଦ ମଞ୍ଚ ବ୍ୟାବସାୟିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ।

 

‘ଦି ନ୍ୟୂୟର୍କ ଟାଇମ୍ସ’ ଅଭିମତ ଭିଡ଼ିଓ ଦେଖିବା ନିମନ୍ତେ କ୍ଳିକ କରନ୍ତୁ :

 

www.nytimes.com/OpDocs

 

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ମେ ୨୦୨


ତଥ୍ୟ:



Fischer, Sara. NYT opinion doubles in size. Axios Media Trends. April 26, 2022

 

Op-Docs

 

https://www.nytco.com/press/the-times-wins-its-first-oscar

 

Watson, Amy. Weekday circulation of The New York Times from 2000 to 2021. March 21, 2022. statista.com

 

https://www.statista.com/statistics/273503/average-paid-weekday-circulation-of-the-new-york-times

 

Hussman School of Journalism and Media

 

https://www.usnewsdeserts.com/reprots/expanding-news-desert/loss-of-local-news/loss-newspaper-readers

ଫରାସୀ ସମ୍ୱାଦ ମଞ୍ଚ ‘ମିଡ଼ିଆପାର୍ଟ’ 

ବିଶ୍ୱବ୍ୟାପୀ ମହାମାରୀ-ପର ଅବସ୍ଥାରେ ସମ୍ୱାଦ ମଞ୍ଚଗୁଡ଼ିକ ପାଠକ-ବିମୁଖ-ପରିବେଶ, ବିଶ୍ୱସନୀୟତା-ହାନୀ ଓ ବିଜ୍ଞାପନ-ହ୍ରାସ ହେତୁ ବ୍ୟାବସାୟିକ ଦୁରବସ୍ଥା ସମ୍ମୁଖୀନ ହୋଇଥିବା ସ୍ଥଳେ ଫରାସୀ ଡ଼ିଜିଟାଲ ସମ୍ୱାଦ ମଞ୍ଚ ‘ମିଡ଼ିଆପାର୍ଟ’ର ସମ୍ପାଦକୀୟ ଓ ବ୍ୟାବସାୟିକ ମଡ଼େଲର ସଫଳତା ଗଣମାଧ୍ୟମ ବିଶ୍ଳେଷକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ‘ମିଡ଼ିଆପାର୍ଟ’ ବିଜ୍ଞାପନ ପ୍ରକାଶ କରେ ନାହିଁ । ବ୍ୟାବସାୟିକ କିମ୍ୱା ସରକାରୀ ସହାୟତାରୁ ଦୂରେଇ ରହେ । କେବଳ ଗ୍ରାହକଚାନ୍ଦାରେ ସମୃଦ୍ଧ ଏହି ଡ଼ିଜିଟାଲ ସମ୍ୱାଦ ମଞ୍ଚଟି ଏକ ଲାଭଦାୟକ ପ୍ରକାଶନ ।

 

‘ମିଡ଼ିଆପାର୍ଟ’ ମୂଳତଃ ଅନୁସନ୍ଧାନଧର୍ମୀ ସାମ୍ୱାଦିକତା ‘ଇନଭେଷ୍ଟଗେଟିଭ ଜର୍ଣ୍ଣାଲିଜମ’ ନିମନ୍ତେ ପ୍ରସିଦ୍ଧ । ଫରାସୀ, ଇଂଲିଶ ଓ ସ୍ପାନିଶ ଭାଷାରେ ପ୍ରକାଶିତ ମଞ୍ଚଟି ୨୦୦୮ରେ ଉନ୍ମୋଚ଼ିତ ହେବା ଦିନୁ ଦେୟଯୁକ୍ତ । ଅର୍ଥାତ, ଗ୍ରାହକ ଭିନ୍ନ କେହି ଏହି ସମ୍ୱାଦ ୱେବସାଇଟ ଖୋଲିପାରନ୍ତି ନାହିଁ । ଭାରତୀୟ ମୁଦ୍ରାରେ ‘ମିଡ଼ିଆପାର୍ଟ’ର ବାର୍ଷିକ ଗ୍ରାହକ ଚାନ୍ଦା ପ୍ରାୟ ଦଶ ହଜାର ଟଙ୍କା । ଛାତ୍ର, ବେକାର ଓ ପେନସନଭୋଗୀମାନଙ୍କ ନିମନ୍ତେ ରିହାତି ଦର ପ୍ରାୟ ଚାରି ହଜାର ପାଞ୍ଚ ଶହ ଟଙ୍କା । ‘ମିଡ଼ିଆପାର୍ଟ’ର ୨୦୨୧ରେ ଗ୍ରାହକ ସଂଖ୍ୟା ଦୁଇ ଲକ୍ଷ ୨୦ ହଜାର ଥିଲା ।

 

ଆନ୍ତର୍ଜାତିକସ୍ତରରେ ଫରାସୀ ସମ୍ୱାଦପତ୍ରର ସୁନାମ ରହିଆସିଛି । ସାଧାରଣରେ ସେଠାକାର ସମ୍ୱାଦ ମଞ୍ଚଗୁଡ଼ିକ ଶିଳ୍ପପତିଙ୍କ ମାଲିକାନାରେ ପରିଚାଳିତ । ‘ଲୋ ମଣ୍ଡା’ ୧୯୪୪ରୁ ପ୍ରକାଶିତ ଏକ ସଂଭ୍ରାନ୍ତ ଦୈନିକ । ଏଥିରେ ମୁଖ୍ୟ-ସମ୍ପାଦକଭାବେ ଦାୟିତ୍ୱ ନିର୍ବାହ କରିଥିବା ଏଡ଼ୱାଡ଼ ପେନାଲ ପାରମ୍ପରିକ ଫରାସୀ ସାମ୍ୱାଦିକତାରେ ବୀତସ୍ପୃହ ହୋଇ ଛଅ ଜଣ ସହ-ପ୍ରତିଷ୍ଠାତାଙ୍କ ଆର୍ଥିକ ନିବେଶରେ ‘ମିଡିଆପାର୍ଟ’ ପ୍ରକାଶନ ଆରମ୍ଭ କରିଥିଲେ । ମୁକ୍ତ ସାମ୍ୱାଦିକତାରେ ବିଶ୍ୱାସ କରୁଥିବା ମାତ୍ର ୨୫ ଜଣ କର୍ମଚାରୀଙ୍କୁ ନେଇ ବିକଶିତ ସମ୍ୱାଦ ମଞ୍ଚରେ ୨୦୨୨ ସୁଦ୍ଧା ୧୩୧ ଜଣ କର୍ମଚାରୀ ନିଯୁକ୍ତ । ସେମାନଙ୍କ ମଧ୍ୟରେ ୭୨ ଜଣ ସାମ୍ୱାଦିକ ଓ ୫୯ ଜଣ ବୈଷୟିକ ତଥା ବ୍ୟାବସାୟିକ ପଦପଦବୀରେ ଅବସ୍ଥାପିତ ।

 

ସାମ୍ୱାଦିକତାରେ ସ୍ୱାଧୀନତା ସୁରକ୍ଷାରେ ସମ୍ୱାଦମଞ୍ଚର ମାଲିକାନା ଗୁରୁତ୍ୱପୂର୍ଣ୍ଣ । ‘ମିଡ଼ିଆପାର୍ଟ’ ଏକ ସ୍ୱାଧୀନ ବ୍ୟାବସାୟିକ ସଂସ୍ଥା ରୂପେ ମୁଣ୍ଡ ଟେକିଥିଲେହେଁ ଭବିଷ୍ୟତରେ ବିତ୍ତଶାଳୀଙ୍କ ଦ୍ୱାରା ଅଧିଗ୍ରହଣ ଭୟକୁ ଏଡ଼ାଇବା ନିମନ୍ତେ ୨୦୧୯ରେ ଏହାର ପ୍ରତିଷ୍ଠାତାମାନେ ନିଜ ଅଂଶଧନ ପ୍ରତ୍ୟାର୍ପଣ କରି ଏକ ନ୍ୟାସ ସଂସ୍ଥା ‘ଟ୍ରଷ୍ଟ’ ଗଠନ କରିଛନ୍ତି । କାରଣ ଅର୍ଥବଳରେ କେହି ନିବେଶକ ନ୍ୟାସ ସଂସ୍ଥା ଅକ୍ତିଆର କରିପାରିବ ନାହିଁ । ‘ମିଡ଼ିଆପାର୍ଟ’ର ସାମ୍ୱାଦିକମାନଙ୍କୁ ସମ୍ମାନଜନକ ଜୀବନଯାତ୍ରା ନିମନ୍ତେ ଯୁକ୍ତିଯୁକ୍ତ ଦରମା ପ୍ରଦାନ କରାଯାଇ ଆସିଛି । ଅର୍ଥନୀତିକ ଦୁରବସ୍ଥା ସାମ୍ୱାଦିକତାର ଗୁଣାତ୍ମକ ବିକାଶରେ ପ୍ରତିବନ୍ଧକ ବୋଲି ସମ୍ୱାଦମଞ୍ଚର ପ୍ରାୟୋଜକମାନଙ୍କ ବିଶ୍ୱାସ ।

 

‘ମିଡ଼ିଆପାର୍ଟ’ର ସମ୍ପାଦକୀୟ ନୀତି ସମକାଳୀନ ସାମ୍ୱାଦିକତା ପ୍ରବାହର ବିରୁଦ୍ଧାଚ଼ରଣ କରେ। ସାଧାରଣରେ ଡ଼ିଜିଟାଲ ମଞ୍ଚରେ (କ) ତୁରନ୍ତ, (ଖ) ସଂକ୍ଷିପ୍ତ, (ଗ) ସଂଖ୍ୟାଧିକ ସମ୍ୱାଦ (ଘ) ବିନାମୂଲ୍ୟରେ ପ୍ରସାରଣ (ଙ) ବହୁ ସଂଖ୍ୟକ ପାଠକଙ୍କ ନିକଟରେ ପହଞ୍ଚିବା ଲାଗି ଗୁରୁତ୍ୱ ଦିଆଯାଉଥିବା ସ୍ଥଳେ ‘ମିଡ଼ିଆପାର୍ଟ’ରେ (କ) କେତେଗୋଟି ମାତ୍ର ନିର୍ବାଚିତ ସମ୍ୱାଦ, (ଖ) ଲୋକାଭିମୁଖୀ, (ଗ) ଦୀର୍ଘ ବର୍ଣ୍ଣନାରେ, (ଘ) ସମୟ କ୍ରମେ, (ଙ) ଦେୟଯୁକ୍ତ ପରିବେଶରେ ପ୍ରକାଶିତ ହୋଇଥାଏ । ଏହି ପଦ୍ଧତି ପାଠକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିଥାଏ । ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ କୋଲକତାର ଆନନ୍ଦ ବଜାର ପତ୍ରିକା ଗୃପ ପକ୍ଷରୁ ପ୍ରକାଶିତ ଇଂଲିଶ ଦୈନିକ ‘ଦି ଟେଲିଗ୍ରାଫ’ ସମ୍ୱାଦ ରଚନାରେ ଏହି ପଦ୍ଧତି ଊଣା-ଅଧିକେ ଉପଯୋଗ କରେ । ଡିଜିଟାଲ ସମ୍ୱାଦ ମଞ୍ଚ ‘ଦି ୱାଇର’ ମଧ୍ୟ ସମପଥର ଯାତ୍ରୀ ।

 

ସାମ୍ୱାଦିକତାରେ ଗୁଣାତ୍ମକ ବିକାଶ ପରୀକ୍ଷାନିରୀକ୍ଷା ଆବଶ୍ୟକ କରେ । ଅଧିକାଂଶ ସମ୍ୱାଦ ମଞ୍ଚ ପ୍ରକାଶକ ନୂତନତ୍ୱକୁ ଉପେକ୍ଷା କରନ୍ତି । ପୂର୍ବରୁ ସଫଳତା ପାଇଆସିଥିବା ସମ୍ୱାଦ ମଞ୍ଚରେ ପ୍ରଚଳିତ ଧାରାକୁ ଅନୁସରଣ କରନ୍ତି । ପାରମ୍ପରିକ ପଦ୍ଧତି ବିପଦ-ଶୂନ୍ୟ ଏବଂ ସଫଳତାର-ସୂତ୍ର ବିଶ୍ୱାସ କରନ୍ତି । ତେବେ ଗଣମାଧ୍ୟମରେ ବାସ୍ତବ କ୍ଷେତ୍ରରେ ୯୦ ପ୍ରତିଶତ କ୍ଷେତ୍ରରେ ଏହି ଧାରା ସର୍ବତ୍ର ଭୂଲ ପ୍ରମାଣିତ ହୋଇଥାଏ । ‘ମୁନ୍ଦେ ପିଇ-ଦଣ୍ଡେ ବଞ୍ଚିବା’ ମାନସିକତା ଉଭୟ ସମ୍ୱାଦ ମଞ୍ଚ ପ୍ରଯୋଜନା ଓ ଗୁଣାତ୍ମକ ସାମ୍ୱାଦିକତା ବିକାଶରେ ଅନ୍ତରାୟ ସାଜି ଥାଏ ।

 

‘ମିଡ଼ିଆପାର୍ଟ’ର ଜନ୍ମକାଳ ସଂଘର୍ଷପୂର୍ଣ୍ଣ । ସମ୍ୱାଦମଞ୍ଚଟି ଆରମ୍ଭ କରିବା ନିମନ୍ତେ ପାଣ୍ଠି ଗଠନରେ ସାତଜଣ ପ୍ରତିଷ୍ଠାତା ନିଜ ବ୍ୟକ୍ତିଗତ ସଞ୍ଚୟରୁ ୬୦ ପ୍ରତିଶତ ଅର୍ଥ ଏବଂ ନିବେଶକଙ୍କଠାରୁ ୪୦ ପ୍ରତିଶତ ଅର୍ଥ ସଂଗ୍ରହ କରିଥିଲେ । ନିଯୁକ୍ତ ସାମ୍ୱାଦିକମାନଙ୍କୁ ଭଲ ଦରମା ଦେବା ନିମନ୍ତେ ବ୍ୟାଙ୍କରୁ ଋଣ କରିବାକୁ ପଛାଯାଇନଥିଲା । ଅନ୍ତତଃପକ୍ଷେ ତିନି ବର୍ଷ ଯାଏଁ ସମ୍ୱାଦ ମଞ୍ଚଟିକୁ ନିରବଚ୍ଛିନ୍ନ ଚଳାଇବା ନିମନ୍ତେ ସମ୍ୱଳ ସୃଷ୍ଟି କରି ଅନିଶ୍ଚିତ ଭବିଷ୍ୟତ ମଧ୍ୟକୁ ପ୍ରକାଶନ ମଞ୍ଚଟି ଲମ୍ପ ପ୍ରଦାନ କରିଥିଲା ।

 

ପ୍ରକାଶନର ଦୁଇ ବର୍ଷ ମଧ୍ୟରେ ନିବେଶ ପାଣ୍ଠି ଶେଷ ହୋଇଯାଇଥିଲା । ତୃତୀୟ ବର୍ଷ ସୁଦ୍ଧା ମାତ୍ର କୋଡ଼ିଏ ହଜାର ଗ୍ରାହକ ସଂଗୃହୀତ ହୋଇଥିଲେ । ତେବେ ସମ୍ୱାଦ ମଞ୍ଚଟିର ପ୍ରମୁଖ ବିଭବ ଅନୁସନ୍ଧାନମୂଳକ ସାମ୍ୱାଦିକତାରେ ପ୍ରଭାବିତ ହୋଇ କ୍ରମଶଃ ଗ୍ରାହକ ସଂଖ୍ୟା ବଢ଼ିଥିଲା । ଏହାର ଗ୍ରାହକ ସଂଖ୍ୟା ୨୦୧୧ରେ ୬୦ ହଜାରକୁ ବୃଦ୍ଧି ପାଇ ଲାଭଜନକ ସାବ୍ୟସ୍ତ ହୋଇଥିଲା । ଫ୍ରାନ୍ସ ମନ୍ତ୍ରୀମଣ୍ଡଳର ବିତ୍ତ ମନ୍ତ୍ରୀଙ୍କ ଏକ ଅଣଘୋଷିତ ବ୍ୟାଙ୍କ ଏକାଉଣ୍ଟ ପର୍ଦ୍ଦାଫାସ କରି ସମ୍ୱାଦ ପ୍ରକାଶନ ରାଷ୍ଟ୍ରବ୍ୟାପୀ ଚହଳ ପକାଇଥିଲା ଏବଂ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ସେହିପରି ପୂର୍ବତନ ରାଷ୍ଟ୍ରପତିଙ୍କୁ ଲିବିୟାର ରାଷ୍ଟ୍ରମୁଖ୍ୟ ନିର୍ବାଚନ ଖର୍ଚ୍ଚ ଲାଗି ପାଣ୍ଠି ଯୋଗାଇବା ତଥ୍ୟ ସଂବଳିତ ସମ୍ୱାଦ ମଧ୍ୟ ଆନ୍ତର୍ଜାତିକସ୍ତରରେ ଚର୍ଚ୍ଚିତ ହୋଇଥିଲା । ସମ୍ୱାଦ ମଞ୍ଚ ନିମନ୍ତେ ଅନୁସନ୍ଧାନଧର୍ମୀ ସମ୍ୱାଦ ପ୍ରଯୋଜନା କାଳରେ ସାମ୍ୱାଦିକମାନେ ଆଇନ ବିଶାରଦଙ୍କ ପରାମର୍ଶ ଗ୍ରହଣ କରିଥାନ୍ତି । ପ୍ରଥମ ଦଶ ବର୍ଷରେ ପ୍ରାୟ ୨୦୦ ଗୋଟି ଅଦାଲତି ମାମଲାର ସମ୍ମୁଖୀନ ହୋଇଥିବା ସ୍ଥଳେ ମାତ୍ର ପାଞ୍ଚଗୋଟି ମାମଲାରେ ସମ୍ୱାଦ ମଞ୍ଚ ବିରୋଧରେ ରାୟ ପ୍ରକାଶ ପାଇଥିଲା ।

 

‘ମିଡ଼ିଆପାର୍ଟ’ର ଅଣ-ପାରମ୍ପରିକ ସମ୍ପାଦକୀୟ ଓ ବ୍ୟାବସାୟିକ ମଡ଼େଲ ଏହାର ବିଶେଷତ୍ୱ । ସମ୍ୱାଦ ମଞ୍ଚ କାର୍ଯ୍ୟାଳୟରେ ପ୍ରତ୍ୟେହ ସକାଳ ଘ୧୦.୩୦ରେ ସମ୍ପାଦକୀୟ, ବ୍ୟାବସାୟିକ ଓ ବୈଷୟିକ କର୍ମୀମାନେ ବୈଠକରେ ଏକତ୍ରୀତ ହୁଅନ୍ତି । ସମ୍ୱାଦ ମଞ୍ଚର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯଥା କେଉଁ ଧାରାରେ ସମ୍ୱାଦ ପ୍ରଯୋଜିତ ହେବ, ଗ୍ରାହକ ସଂଖ୍ୟା ବୃଦ୍ଧି କରାଯାଇପାରିବ ଓ ଅତୀତରେ କେଉଁ ବିଷୟଗୁଡ଼ିକରେ ତୃଟି ରହିଯାଇଥିଲା ପ୍ରାଞ୍ଜଳଭାବେ ଆଲୋଚ଼ିତ ହୁଏ । ସମସ୍ତ କର୍ମଚାରୀ ଏହି ଆଲୋଚ଼ନାରେ ନିଜର ସ୍ପଷ୍ଟ ମତ ଉପସ୍ଥାପିତ କରିପାରନ୍ତି ।

 

ମୂଳ ଡ଼ିଜିଟାଲ ସମ୍ୱାଦ ମଞ୍ଚ ‘ଲୋ ଜର୍ଣ୍ଣାଲ’ ସହ ସହଭାଗୀ ‘ଲୋ କ୍ଳବ’ ପ୍ରକାଶନ ପାଠକ ସଂପୃକ୍ତି ନିମନ୍ତେ ଏକ ବଳିଷ୍ଠ ପଦକ୍ଷେପ । ‘ଲୋ କ୍ଳବ’ରେ ପାଠକମାନେ ଅଭିମତ, ଦୃଷ୍ଟିକୋଣ ଓ ବିବିଧ ସୂଚ଼ନା ପ୍ରକାଶନ କରିବା ସୁଯୋଗ ପାଇଥାନ୍ତି । ଏତଦ୍ୱାରା ପାଠକବର୍ଗ ସମ୍ୱାଦ ଆହରଣ ସଙ୍ଗେ ନିଜସ୍ୱ ମତାମତ ପ୍ରକାଶନର ମଧ୍ୟ ସୁଯୋଗ ପାଇଥାନ୍ତି । ଡ଼ିଜିଟାଲ ମଞ୍ଚରେ ଏହିଭଳି ସୁବିଧାସୁଯୋଗ ଅତିକମ ଖର୍ଚ୍ଚରେ ଉପଲବ୍ଧ ଥିବା ସ୍ଥଳେ ‘ମିଡ଼ିଆପାର୍ଟ’ ପକ୍ଷରୁ ପାଠକ ସଂପୃକ୍ତିକୁ ଦୃଢ଼ୀଭୂତ କରିବା ସଙ୍ଗେ ସମ୍ୱାଦ ପ୍ରସାରଣ କ୍ଷେତ୍ରରେ ଗଣତାନ୍ତ୍ରିକ ପରିବେଶ ସୃଷ୍ଟିରେ ସହାୟକ ହୋଇଥାଏ । ଅନ୍ୟପକ୍ଷରେ ସମ୍ୱାଦ ମଞ୍ଚ ପ୍ରତି ପାଠକଙ୍କ ଆନୁଗତ୍ୟ ବଜାୟ ରଖିବା ତଥା ବାର୍ଷିକ ଗ୍ରାହକ ଚାନ୍ଦା ସଂଗ୍ରହ ଦିଗରେ ମଧ୍ୟ ପ୍ରଭାବଶାଳୀ । ପ୍ରତି ମାସରେ ପାଠକଙ୍କ ଗହଣରେ ସାମ୍ୱାଦିକମାନେ ଅନଲାଇନ ବୈଠକରେ ଏକତ୍ରୀତ ହୋଇ ପାଠକଙ୍କ ପ୍ରଶ୍ନର ଉତ୍ତର ଦେଇଥାନ୍ତି ।

 

ମିଡ଼ିଆପାର୍ଟ ପ୍ରକାଶନର ପନ୍ଦର ବର୍ଷ ୨୦୦୮ରୁ ୨୦୨୩ ଯାଏଁ କୌଣସି ରାଜନୀତିକ ଦଳର ପକ୍ଷଭୁକ୍ତ ହୋଇନାହିଁ । ଅନୁସନ୍ଧାନମୂଳକ ସମ୍ୱାଦ ପ୍ରକାଶନ କାଳରେ ତଥ୍ୟ ସଂଗ୍ରହ ନିମନ୍ତେ କେଉଁ ସବୁ ପଦ୍ଧତି ସାମ୍ୱାଦିକ ଅବଲମ୍ୱନ କରିଥିଲେ, ତାହାର ବିସ୍ତୃତ ବିବରଣୀ ସହ ନିର୍ବାଚିତ ଦଲିଲର ତାଲିକା ସମ୍ୱାଦର ଶେଷଭାଗରେ ପ୍ରକାଶିତ ହୁଏ । ସମ୍ୱାଦ ପରିବେଷଣରେ ସ୍ୱଚ୍ଛତା ପ୍ରତିଷ୍ଠା ଉଦ୍ଦେଶ୍ୟରେ ୨୦୧୮ରୁ ସାମ୍ୱାଦିକମାନେ ପ୍ରତ୍ୟେକ ସମ୍ୱାଦରେ ସ୍ୱୀକାରୋକ୍ତି ସ୍ଥାନିତ କରିଥାନ୍ତି । ସ୍ୱାଧୀନ ଗୁଣାତ୍ମକ ସାମ୍ୱାଦିକତା କେବଳ ଗ୍ରାହକ ଦେୟରେ ଲାଭଜନକ ବ୍ୟବସାୟ ସାବ୍ୟସ୍ତ ହୋଇପାରିବ, ସାମ୍ୱାଦିକମାନଙ୍କୁ ସମ୍ମାନଜନକ ଜୀବନଯାତ୍ରା ନିମନ୍ତେ ପାରିଶ୍ରମିକ ପ୍ରଦାନରେ ସମର୍ଥ ଏବଂ ଲୋକହିତରେ ସାମ୍ୱାଦିକତା ଯେ ପର୍ଯ୍ୟବସିତ ହୋଇପାରିବ, ମିଡ଼ିଆପାର୍ଟ ଏକ ସଫଳ ଉଦାହରଣ । 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ମେ ୨୦୨


ତଥ୍ୟ:



Global Investigative Journalism Network. Mediapart built its news model around investigative journalism.

 

https://gijn.org/2022/03/16/france-mediapart-sucessful-model-investiative-journalism/

 

Willsher, Kim. How pioneering Mediapart has set the French news agenda

 

https://www.theguardian.com/world/2018/mar/16/how-pioneering-mediapart-has-set-the-french-news-agenda

ଲେବନାନ ଡ଼ିଜିଟାଲ ସମ୍ୱାଦ ମଞ୍ଚ ‘ଦରାଜ’ 

ପଶ୍ଚିମ ଏସିଆରେ ସିରିଆ, ଇସ୍ରାଏଲ, ସାଇପ୍ରେସ ଓ ଭୂମଧ୍ୟସାଗର ଘେରରେ ଲେବନାନ ଏକ ଇତିହାସ ସମୃଦ୍ଧ ଆରବୀୟ ରାଷ୍ଟ୍ର । ଏଠାକାର ଜନସଂଖ୍ୟା ୫୨ ଲକ୍ଷରେ ସୀମିତ । ଲେବନାନ ନିକଟ ଅତୀତରୁ ଅଶାନ୍ତ । ପ୍ରଥମ ବିଶ୍ୱଯୁଦ୍ଧ ପରେ ଓଟମନ ସମ୍ରାଜ୍ୟ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ଫରାସୀ ଶାସନରୁ ମୁକ୍ତ ଲେବନାନ ୧୯୭୫ରୁ ୧୯୯୦ ମଧ୍ୟରେ ଗୃହଯୁଦ୍ଧର ସମ୍ମୁଖୀନ ହୋଇଥିଲା । ସିରିଆର ସେନା ବାହିନୀ ୧୯୭୬ରୁ ୨୦୦୫ ଏବଂ ଇସ୍ରାଏଲର ସେନାବାହିନୀ ୧୯୮୫ରୁ ୨୦୦୦ ମଧ୍ୟରେ ଲେବନାନରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସମକାଳରେ ଅର୍ଥନୀତିକ ଦେବାଳିଆ ଅବସ୍ଥା ଓ ପ୍ରଶାସନିକ ଦୁର୍ନୀତିକୁ କେନ୍ଦ୍ରକରି ଲେବନାନ ନିନ୍ଦିତ । ମୁଦ୍ରାସ୍ପୀତି, ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିସପତ୍ର ଅଭାବ, ବେକାରି ଓ ଦାରିଦ୍ର୍ୟରେ ଲେବନାନବାସୀ ଆକ୍ରାନ୍ତ ।

 

କ୍ଷୁଦ୍ର ଆୟତନ ଓ କମ ଜନସଂଖ୍ୟା ସତ୍ତ୍ୱେ ଲେବନାନ ମଧ୍ୟ-ପ୍ରାଚ୍ୟର ଅନ୍ୟତମ ସାଂସ୍କୃତିକ କେନ୍ଦ୍ରସ୍ଥଳୀ । ମୁଦ୍ରଣ, ରେଡ଼ିଓ ଓ ଟେଲିଭିଜନ କ୍ଷେତ୍ରରେ ଗୁରୁତ୍ୱ ହାସଲ କରିଥିବା ଲେବନାନ ଗଣମାଧ୍ୟମ ଆରବ ଅନଲାଇନ ପ୍ରକାଶନ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ । ତିନିଗୋଟି ସମ୍ୱାଦପତ୍ର ୧୯୯୬ରେ ଅନଲାଇନ ସଂସ୍କରଣ ପ୍ରକାଶ କରି ଡ଼ିଜିଟାଲ ସମ୍ୱାଦର ମୂଳଦୁଆ ସ୍ଥାପନ କଲାପରେ ୨୦୦୦ ସୁଦ୍ଧା ୨୦୦ ଗୋଟି ସମ୍ୱାଦ ୱେବସାଇଟକୁ ଉପଲବ୍ଧ ଥିଲା । ଇଣ୍ଟରନେଟ ଉପଭୋକ୍ତା ସଂଖ୍ୟା ୨୦୨୨ ସୁଦ୍ଧା ୮୪ ପ୍ରତିଶତ ଜନସଂଖ୍ୟା ଅତିକ୍ରମ କରିଥିଲା ।

 

ଲେବନାନ ରାଜଧାନୀ ବୈରୁଟରେ ୨୦୨୦ରେ ବନ୍ଦର ବୋମା ବିସ୍ପୋରଣ ଘଟଣା ପରେ ବିପର୍ଯ୍ୟସ୍ତ ଅର୍ଥନୀତିରେ ଦେଶର ଏକମାତ୍ର ଇଂଲିଶ ସମ୍ୱାଦପତ୍ର ‘ଦି ଡେଲି ଷ୍ଟାର’ ୨୦୨୧ରେ ପ୍ରକାଶନ ବନ୍ଦ ହୋଇଯାଇଥିଲା । ସେଠାରେ ଘରୋଇ ରେଡ଼ିଓ ଓ ଟେଲିଭିଜନ ପ୍ରସାରଣକୁ ଅନୁମତି ମିଳିଥାଏ । ଅନ୍ୟାନ୍ୟ ଆରବ ରାଷ୍ଟ୍ର ତୁଳନାରେ ଲେବନାନରେ ଗଣମାଧ୍ୟମ ଅଭିବ୍ୟକ୍ତିରେ ସ୍ୱାଧୀନତା ଉପଭୋଗ କରୁଥିଲେହେଁ ବୃହତ ସମ୍ୱାଦ ମଞ୍ଚଗୁଡ଼ିକ ରାଜନୀତିକ ଦଳଗୁଡ଼ିକ ନିୟନ୍ତ୍ରିତ କରୁଥିବା ହେତୁ ପ୍ରକୃତ ସ୍ୱାଧୀନତା ପ୍ରତିହତ ହୋଇଥାଏ । ଆଲଜଜିରା, ଆଲ-ଆରବୀୟ, ସିଏନଏନ, ବିବିସି ଭଳି ସମ୍ୱାଦ ମଞ୍ଚ ଲେବନାନରେ ଲୋକପ୍ରିୟ ଥିବା ସତ୍ତ୍ୱେ ଜନସାଧାରଣ ସ୍ଥାନୀୟ ସମ୍ୱାଦ ମଞ୍ଚ ପ୍ରତି ଆଗ୍ରାହାନ୍ୱିତ ହୋଇଥାନ୍ତି ।

 

ବିଂଶ ଶତାଦ୍ଦୀର ଶେଷ ଭାଗରେ ଇଣ୍ଟରନେଟ ଓ ଡ଼ିଜିଟାଲ ବୈଷୟିକ କୌଶଳ ପ୍ରସାରଲାଭ କରିବାପରେ ବିଶ୍ୱବ୍ୟାପୀ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ବ୍ୟାବସାୟିକ ସମତୁଲ ହରାଇ ବସିଥିଲେ । ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଆୟହାନୀର ମୁକାବିଲା କରିବା ନିମନ୍ତେ ରାଜନୀତିକ ଦଳ, ବାଣିଜ୍ୟ-ବ୍ୟବସାୟ ପ୍ରତିଷ୍ଠାନ କିମ୍ୱା ବଦାନ୍ୟତା ଆଶ୍ରିତ ହେବା ନିମନ୍ତେ ବାଧ୍ୟ ହୋଇଥିଲେ । ଲେବନାନରେ ମୁଦ୍ରଣ, ଟେଲିଭିଜନ ଓ ରେଡ଼ିଓ ଶିଳ୍ପର ମାଲିକାନା କ୍ରମଶଃ ରାଜନୀତିକ ନେତୃବର୍ଗଙ୍କ ହାତକୁ ଚାଲିଯାଇଥିଲା । ଫଳରେ ମୁକ୍ତ ସାମ୍ୱାଦିକତାର କଣ୍ଠରୋଧ ଘଟିଥିଲା । ଉଦ୍ଦେଶ୍ୟ-ପ୍ରଣୋଦିତ ସାମ୍ୱାଦିକତା ପ୍ରସାରରେ ଗଣମାଧ୍ୟମ ଉପଭୋକ୍ତା ଅତିଷ୍ଠ ହୋଇପଡିଥିବା ଅବସରରେ ଡ଼ିଜିଟାଲ ମଞ୍ଚରେ ସ୍ୱାଧୀନ ସାମ୍ୱାଦିକତା ପରିପ୍ରକାଶ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା ।

 

ମୁଦ୍ରିତ ସମ୍ୱାଦପତ୍ର, ଟେଲିଭିଜନ ଓ ରେଡ଼ିଓ ମଞ୍ଚରେ ସମ୍ୱାଦ ପ୍ରଯୋଜନା ଓ ପ୍ରସାରଣ ବ୍ୟୟବହୁଳ । ସେହିପରି ସମ୍ୱାଦ ଆହରଣ କରିବା ନିମନ୍ତେ ମଧ୍ୟ ଉପଭୋକ୍ତାକୁ କ୍ରମାଗତ ମୂଲ୍ୟ ଭରଣା କରିବାକୁ ପଡ଼ିଥାଏ । ଫଳରେ ସମ୍ୱାଦ ଉତ୍ପାଦ ପ୍ରସ୍ତୁତି ଓ ପ୍ରସାରରେ ଅର୍ଥବ୍ୟୟରେ ଭରାକ୍ରାନ୍ତ ପ୍ରକାଶକ ଉନ୍ନତ ସାମ୍ୱାଦିକତା ଦିଗରେ ଧ୍ୟାନ ଦେଇପାରିନଥାଏ । ଅପରରପକ୍ଷେ ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ଉନ୍ନତ ବୈଷୟିକ କୌଶଳ ବ୍ୟବହାର ସମ୍ୱାଦ ପ୍ରସାରଣ ଓ ଉପଭୋକ୍ତାଙ୍କ ଆହରଣ ଉଭୟ ସହଜ, ସରଳ ଓ ଅପେକ୍ଷାକୃତଭାବେ ଶସ୍ତା ରହୁଥିବା ହେତୁ ସାମ୍ୱାଦିକତାର ଗୁଣାତ୍ମକ ବିକାଶରେ ନିବେଶ ସମ୍ଭବ ହୁଏ । ପାରମ୍ପରିକ ଗଣମାଧ୍ୟମ ପରିଧିରେ ରାଜନୀତିକ ଓ ବ୍ୟାବସାୟିକ ମାଲିକାନାର ଅନୁପ୍ରବେଶ ପରେ ବହୁ ରାଷ୍ଟ୍ରରେ ଡ଼ିଜିଟାଲ ମଞ୍ଚରେ ସ୍ୱାଧୀନ ସାମ୍ୱାଦିକତା ବିକଶିତ ହୋଇଛି ।

 

ଲେବନାନରେ ଗୃହଯୁଦ୍ଧ, ବୈଦେଶିକ ଆକ୍ରମଣ, ବିଶୃଙ୍ଖଳିତ ଅର୍ଥନୀତି ଓ ସାମାଜିକ ଅସ୍ଥିରତା ଲାଗି ରହିଥିବା ଅବସରରେ ଇଣ୍ଟରନେଟର ବ୍ୟାପକ ପ୍ରସାର ଓ ଦେଶର ଜନସଂଖ୍ୟାର ପ୍ରମୁଖ ଭାଗ ଅନଲାଇନରେ ଯୋଡ଼ି ହୋଇସାରିଥିବା ଅବସରରେ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ପ୍ରସାର ବିକଳ୍ପ ସାମ୍ୱାଦିକତାର ଉଦାହରଣ ସୃଷ୍ଟି କରିଛି । ଲେବନାନ ଉଦାହରଣରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ମୋଟା ଅର୍ଥରାଶି ନିବେଶର ଆବଶ୍ୟକତା ଓ ପାରମ୍ପରିକ ବ୍ୟାବସାୟିକ ମଡ଼େଲରେ ଅସ୍ଥିରତା କାରଣରୁ ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକ ସାମ୍ୱାଦିକତାରେ ସ୍ୱାଧୀନତା ହରାଇ ବସିଲେ ଡ଼ିଜିଟାଲ ସମ୍ୱାଦ ମଞ୍ଚ ବିକଳ୍ପ ଭାବେ ଆତ୍ମପ୍ରକାଶ କରିପାରିବ ଏବଂ ଜନସାଧାରଣରେ ଆଦୃତ ହେବ । ପ୍ରକାରନ୍ତେ ଡ଼ିଜିଟାଲ ସମ୍ୱାଦ ମଞ୍ଚ ପ୍ରତି ଉପଭୋକ୍ତାଙ୍କ ସଂପୃକ୍ତି ଓ ଆନ୍ତରିକତା ପାରମ୍ପରିକ ମଞ୍ଚ ତୁଳନାରେ ଅଧିକ ଥିବା ପ୍ରମାଣିତ ।

 

ଲେବନାନର ‘ଦରାଜ’ ନାମକ ଡ଼ିଜିଟାଲ ସମ୍ୱାଦ ମଞ୍ଚ କେବଳ ଦୁର୍ନୀତି ବିରୋଧି ସମ୍ୱାଦ ପ୍ରକାଶ କରି ଲୋକପ୍ରିୟତା ହାସଲ କରିବାପରେ ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମ ସମୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛି । ବୈରୁଟରେ ମୂଳସ୍ରୋତ ଗଣମାଧ୍ୟମ ମଞ୍ଚଗୁଡ଼ିକରେ କାର୍ଯ୍ୟରତ ତିନିଜଣ ସାମ୍ୱାଦିକ ୨୦୧୭ରେ ‘ଦରାଜ’ ଆରମ୍ଭ କରିଥିଲେ । ଆରବୀୟ ଭାଷାରେ ‘ଦରାଜ’ର ଅର୍ଥ ପାହାଚ଼ । ଏହାର ପ୍ରତିଷ୍ଠାତାଙ୍କ ମଧ୍ୟରୁ ଜଣେ କହନ୍ତି ଯେ ଲେବନାନ ଜନତା ସମ୍ୱାଦ ପ୍ରସାର ଦୃଷ୍ଟିରୁ ବିସମ୍ୱାଦ ପରିପୂର୍ଣ୍ଣ ଅନ୍ଧକାରାଚ୍ଛନ୍ନ ଗର୍ତ୍ତ ମଧ୍ୟରେ ପଡ଼ିରହିଛନ୍ତି । ସେଠାରୁ ସତ୍ୟର ଆଲୋକପଥରେ ଯାତ୍ରା ନିମନ୍ତେ ‘ଦରାଜ’ ଡ଼ିଜିଟାଲ ମଞ୍ଚ ପାହାଚ଼ ରୂପେ କାର୍ଯ୍ୟ କରିଥାଏ ।

 

‘ଦରାଜ’ରେ ଦୁର୍ନୀତି ବିରୋଧୀ ସମ୍ୱାଦ ସହ ମହିଳା, ମାନବିକ ଅଧିକାର ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ଭଳି ସମ୍ୱାଦମାନ ପ୍ରକାଶ ପାଏ । ମୂଳସ୍ରୋତ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଯେଉଁ ସମ୍ୱାଦଗୁଡ଼ିକୁ ବାରଣ କିମ୍ୱା ଗୁରୁତ୍ୱ ଦିଆଯାଏ ନାହିଁ, ତାହା ‘ଦରାଜ’ପୃଷ୍ଠାରେ ପାଠକଙ୍କ ନିକଟରେ ପହଞ୍ଚିଥାଏ । ଡ଼ିଜିଟାଲ ସମ୍ୱାଦ ମଞ୍ଚଟି ଆରମ୍ଭ ହେବାର ଛଅ ବର୍ଷ ମଧ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ସଂଖ୍ୟା ତିନିରୁ ୨୦କୁ ବୃଦ୍ଧି ପାଇଛି । ପ୍ରତ୍ୟହ ଅନ୍ୟୂନ ଆଠଗୋଟି ନୂତନ ସମ୍ୱାଦ ପ୍ରକାଶିତ ହୋଇଥାଏ । ଏଥି ମଧ୍ୟରେ ମୌଳିକ ରଚନା, ଭିଡ଼ିଓ ଓ ଅନ୍ୟାନ୍ୟ ଡ଼ିଜିଟାଲ ମଞ୍ଚରେ ପ୍ରକାଶିତ ଉଲ୍ଲେଖଯୋଗ୍ୟ ରଚନାବଳୀର ପୁନଃ ପ୍ରକାଶନ ଅନ୍ତର୍ଭୁକ୍ତ ।

 

ପାରମ୍ପରିକଭାବେ ମଧ୍ୟ-ପ୍ରାଚ୍ୟରେ ଲେବନାନ ଗଣମାଧ୍ୟମ କେନ୍ଦ୍ରସ୍ଥଳୀ ରୂପେ ବିକଶିତ ହୋଇଥିବା ହେତୁ ‘ଦରାଜ’ କ୍ରମଶଃ ଲେବନାନ ସୀମା ଡ଼େଇଁ ସମଗ୍ର ଆରବ ରାଷ୍ଟ୍ର ସମୂହର ପ୍ରତିନିଧିତ୍ୱ କରିବାରେ ଲାଗିଲା । ମୂଳ ଆରବୀୟ ମଞ୍ଚର ଉପାଦାନ ଇଂଲିଶ ଭାଷାରେ ଉପଲବ୍ଧ ହେବା ଫଳରେ ବିଶ୍ୱବ୍ୟାପୀ ଆଦୃତି ଲାଭ କଲା । ଫିଲିସ୍ତିନ, ଇରାନ, ସୁଦାନ ଓ ମରାକୋ ଭଳି ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ‘ଦରାଜ’ ନିମନ୍ତେ ୧୨୧ ଜଣ ସାମ୍ୱାଦିକ କାର୍ଯ୍ୟକରନ୍ତି । ସେମାନଙ୍କ ମଧ୍ୟରୁ ୨୦ରୁ ୨୫ ଜଣଙ୍କ ଛଦ୍ମ ନାମରେ ସମ୍ୱାଦ ପ୍ରକାଶିତ ହୁଏ । ଏଥିରେ ଦୀର୍ଘ ରଚନା ‘ଲଙ୍ଗଫର୍ମ’କୁ ପ୍ରଶ୍ରୟ ଦିଆଯାଏ । ଇଜିପ୍ଟରେ ‘ଦରାଜ’ ସମ୍ୱାଦ ମଞ୍ଚ ୨୦୨୨ ନଭେମ୍ୱର ମାସରେ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରି ବ୍ଳକ କରାଯାଇଥିଲା । ଇଜିପ୍ଟ ସଂପର୍କରେ ପ୍ରକାଶିତ ସମ୍ୱାଦର ସ୍ଥାନୀୟ ସାମ୍ୱାଦିକ ଦୁଇବର୍ଷ ଜେଲଦଣ୍ଡ ଭୋଗିଥିଲେ ।

 

‘ଦରାଜ’ ସାମ୍ୱାଦିକତାରେ ସ୍ୱାଧୀନତା ବଜାୟ ରଖିବା ଉଦ୍ଦେଶ୍ୟରେ ଦେଶୀୟ ବିତ୍ତଶାଳୀଙ୍କ ଦ୍ୱାରସ୍ଥ ନହୋଇ ମୁକ୍ତ ସାମ୍ୱାଦିକତା ବିକାଶ ନିମନ୍ତେ ଉଦ୍ଦିଷ୍ଟ ଆନ୍ତର୍ଜାତିକ ଅନୁଦାନକାରୀ ପ୍ରତିଷ୍ଠାନଗୁଡ଼ିକର ସହାୟତା ଉପରେ ନିର୍ଭରଶୀଳ । ଇଣ୍ଟରନ୍ୟାସନାଲ ମିଡ଼ିଆ ସାପୋର୍ଟ, ଓପନ ସୋସାଇଟି, ୟୁରୋପିଆନ ଏଣ୍ଡୋମେଣ୍ଟ ଫର ଡେମୋକ୍ରାସି ଓ ଗୁଗୁଲ ନିଉଜ ଇନିସିଟିଉଭ ଭଳି ସଂଗଠନ ଡ଼ିଜିଟାଲ ସମ୍ୱାଦ ମଞ୍ଚଟିକୁ ଆର୍ଥିକ ସହାୟତା ଦେଇଥାନ୍ତି । ‘ଦରାଜ’ର ଆୟ ଅନୁଦାନରୁ ୮୦ ପ୍ରତିଶତ ଭରଣା ହେଉଥିବା ବେଳେ ୨୦ ପ୍ରତିଶତ ବଜାରଭିତ୍ତିକ ଗଣମାଧ୍ୟମ ଉତ୍ପାଦ ‘ମିଡ଼ିଆ ପ୍ରଡ଼କ୍ଟସ’ ବା ମୁଦ୍ରଣ, ଅଡ଼ିଓ ଏବଂ ଭିଡ଼ିଓ ସୃଜନ ଓ ତାଲିମରୁ ଆୟ ହୋଇଥାଏ । ଲେବନାନର ଜାତୀୟ ଆର୍ଥିକସ୍ଥିତି ବିପନ୍ନ ଅବସ୍ଥାରେ ଥିବା ହେତୁ ଗ୍ରାହକ ଚାନ୍ଦା ଆଦାୟକୁ ଗୁରୁତ୍ୱ ଦିଆଯାଇପାରୁନାହିଁ ।

 

‘ଦରାଜ’ ଲେବନାନ ସମେତ ଇଜିପ୍ଟ, ଇରାକ, ଜୋର୍ଡାନ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସମ୍ୱାଦ ଉପଭୋକ୍ତା ସୃଷ୍ଟି କରିପାରିଛି । ପ୍ରାୟ ୨୫ ଲକ୍ଷ ପାଠକ-ଶ୍ରୋତା-ଦର୍ଶକ ଏହି ଡିଜିଟାଲ ସମ୍ୱାଦ ମଞ୍ଚରେ ୨୦୨୨ରେ ଉପସ୍ଥିତ ଥିଲେ । ସୋସିଆଲ ମିଡ଼ିଆ ଯୋଗେ ସାଧାରଣ ଜନତାଙ୍କ ନିକଟରେ ମଧ୍ୟ ପହଞ୍ଚିବା ନିମନ୍ତେ ଯତ୍ନ ନିଆଯାଏ । ମୁଖ୍ୟତଃ କମ ବୟସର ଜନସଂଖ୍ୟା ନିକଟତର ହେବା ନିମନ୍ତେ କେତେକ ସମ୍ୱାଦର ସୋସିଆଲ ମିଡ଼ିଆ ଉପଯୋଗୀ ଆଙ୍ଗିକ ପ୍ରସ୍ତୁତ କରାଯାଏ ।

 

ବିବିଧତା ସାମ୍ୱାଦିକତାର ମୂଳମନ୍ତ୍ର । ଅସତ୍ୟ, ଗୁଜବ, ଅତିରଞ୍ଜିତ, ଉଦ୍ଦେଶ୍ୟ ପ୍ରଣୋଦିତ ଓ ପକ୍ଷଭୁକ୍ତ ସମ୍ୱାଦ ସରବରାହ ଗୁଣାତ୍ମକ ସାମ୍ୱାଦିକତାର ପରିପନ୍ଥୀ । ସମ୍ୱାଦ ମଞ୍ଚର ପୃଷ୍ଠପୋଷକତା ବାଧ୍ୟବାଧକତାରେ ପକ୍ଷଭୁକ୍ତ ସାମ୍ୱାଦିକତା ଧୃବୀକରଣ ‘ପୋଲରାଇଜେସନ’ ସାମାଜିକ ଅଶାନ୍ତି ସୃଷ୍ଟି କରିଥାଏ । ସ୍ଥଳବିଶେଷରେ ପକ୍ଷପାତିତା ସାମାଜିକ ମଙ୍ଗଳ ନିମନ୍ତେ ଅଭିପ୍ରେତ ହେଲେହେଁ ସାମ୍ୱାଦିକତାର ମୂଳ ଧର୍ମ ପାଳନରୁ ବହୁ ଦୂରକୁ ଚାଲିଯାଏ । ଗଣତନ୍ତ୍ର ଭଳି ସାମ୍ୱାଦିକତା ବିବିଧତା ପରିଚାୟକ । ବିକ୍ଷିପ୍ତ ଚ଼ିନ୍ତାଧାରା ଉପଭୋକ୍ତାଙ୍କ ସମ୍ମୁଖରେ ଉପସ୍ଥାପନ ଉତ୍କର୍ଷ ସାମ୍ୱାଦିକତାର ପରିଚୟ । ଅଭିମତ ପ୍ରକାଶନଯୋଗ୍ୟ, କିନ୍ତୁ ଏହା ସଂବାଦ ବିନ୍ୟାସରୁ ପୃଥକ ରହିବା ଏବଂ ଉଭୟପକ୍ଷଙ୍କ ଅଭିମତ ପ୍ରକାଶନକୁ ସୁଯୋଗ ଦେବା ବିଧେୟ । ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ପ୍ରତ୍ୟେକ ଉପଭୋକ୍ତଙ୍କ ସ୍ୱାଧୀନ ମତ ପ୍ରକାଶନ ନିମନ୍ତେ ବୈଷୟିକ ସୁଯୋଗ ଉନ୍ନତ ସାମ୍ୱାଦିକତା ପ୍ରବାହକୁ ସୂଚ଼ିତ କରିଥାଏ । ‘ଦରାଜ’ର ଉଦାହରଣ ଦେଶବିଦେଶର ଗୁଣାତ୍ମକ ସାମ୍ୱାଦିକତା ଆଗ୍ରହୀକୁ ପ୍ରଭାବିତ କରିବା ଆଶା କରାଯାଇପାରେ ।

 

ଲେବନାନ ସାମ୍ୱାଦିକତା ସଂପର୍କୀତ ୟୁଟ୍ୟୁବ ଭିଡ଼ିଓ –

 

Watch Support to media recovery in Lebanon” on YouTube

 

https://youtu.be/kZjyODJPQBw

 

Watch “Lebanon : Protest in front of central bank in Beirut, economic crisis brings people to streets / WION” on YouTube

 

https://youtu.be/gfMsPFUbTbg  

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୬ ମେ ୨୦୨୩


ତଥ୍ୟ:



Oliver, Laura. How news site Daraj reports on women’s rights and corruption across the Middle East. Reuters Institute. 23 May 2023.

 

https://reutersinstitute.politics.ox.ac.uk/news/how-news-site-daraj-reports-womens-rights-and-corruption-across-middle-east

'ବିବିସି'ର ଡ଼ିଜିଟାଲ ଫାଷ୍ଟ ନୀତି

‘କୋଭିଡ଼-୧୯’ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ଗଣମାଧ୍ୟମର ଡ଼ିଜିଟାଲ ରୂପାନ୍ତର ଅବଶ୍ୟମ୍ଭାବୀ ବିଚାର କରାଯାଉଥିବା ସ୍ଥଳେ ୨୦୨୨ ମେ’ ମାସ ଶେଷ ସପ୍ତାହରେ ବ୍ରିଟିଶ ବ୍ରଡ଼କାଷ୍ଟିଂ କରପୋରେସନ ‘ବିବିସି’ର ଡ଼ିଜିଟାଲ-ଫାଷ୍ଟ ନୀତି ନିର୍ଦ୍ଧାରଣ ଘୋଷଣା ଏକ ଉଲ୍ଲେଖଯୋଗ୍ୟ ଘଟଣା । ପାରମ୍ପରିକ ଆଙ୍ଗିକରେ ଗଣମାଧ୍ୟମ ମଞ୍ଚଗୁଡ଼ିକ ଘରୋଇ ଉଦ୍ୟୋଗ କିମ୍ୱା ସରକାରୀ ନିୟନ୍ତ୍ରଣଧୀନ ରହୁଥିବା ବେଳେ ବ୍ରିଟେନର ଜନସାଧାରଣଙ୍କଠାରୁ ଟେଲିଭିଜନ ପ୍ରସାରଣ ଲାଇସେନ୍ସ ଫି ସରକାରୀ କଳ ଆଦାୟ କରି ବିବିସିକୁ ଅନୁଦାନ ଆକାରରେ ଦେଇଥାଏ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ବ୍ୟାବସାୟିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ବିଜ୍ଞାପନ-ଆଶ୍ରିତ ମଡ଼େଲ ଭୁଷୁଡ଼ି ଯିବାପରେ ଡ଼ିଜିଟାଲ ମୁହାଁ ହେଉଥିବା ବିଶ୍ୱାସ କରାଯାଉଥିବା ଅବସରରେ ୧୯୨୨ରେ ପ୍ରତିଷ୍ଠିତ ବିଶ୍ୱର ସର୍ବପ୍ରାଚ଼ୀନ ଜାତୀୟ ପ୍ରସାରକ ବୈଷୟିକ ପ୍ରଗତି ଓ ଦର୍ଶକୀୟ ଋଚିର ପରିପନ୍ଥୀ ପଥଚାରୀ ହେବାକୁ ଉଚ଼ିତ ମଣିଲା ନାହିଁ ।

 

ଲଣ୍ଡନକେନ୍ଦ୍ରୀକ ବିବିସି ଆନ୍ତର୍ଜାତିକସ୍ତରରେ ସର୍ବବୃହତ ଗଣମାଧ୍ୟମ ପ୍ରତିଷ୍ଠାନ । ଏଥିରେ ବାଇଶି ହଜାର କର୍ମଚାରୀ ନିୟୋଜିତ । ଏହାର ବଜେଟର ଏକ ଚ଼ତୁର୍ଥାଂଶ ରେଡ଼ିଓ ଓ ଟେଲିଭିଜନ କାର୍ଯ୍ୟକ୍ରମ ବିକ୍ରୀ ଇତ୍ୟାଦି ବ୍ୟାବସାୟିକ ସୂତ୍ରରୁ ଆଦାୟ ହେଉଥିବା ସ୍ଥଳେ ତିନି-ଚ଼ତୁର୍ଥାଂଶ ଜନସାଧାରଣଙ୍କଠାରୁ ସଂଗୃହୀତ ଟିକସରେ ଭରଣା ହୋଇଥାଏ । ବ୍ରିଟେନରେ ଟେଲିଭିଜନ ତଥା ଆନୁସଙ୍ଗିକ ଉପକରଣ ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାର ଭାରତୀୟ ମୁଦ୍ରାରେ ବାର୍ଷିକ ପ୍ରାୟ ଷୋହଳ ହଜାର ଟଙ୍କା ଟେଲିଭିଜନ ପ୍ରସାରଣ ଟିକସ ଦେଇଥାନ୍ତି । ମହାମାରୀ-ପର ଅବସ୍ଥାରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିବା ହେତୁ ମୁଦ୍ରାସ୍ପୀତି ଅନୁପାତରେ ଏହି ବାର୍ଷିକ ଟିକସହାର ବୃଦ୍ଧିକୁ ଦୁଇ ବର୍ଷ ପାଇଁ ଏପ୍ରିଲ ୨୦୨୪ ଯାଏଁ ସ୍ଥିର ‘ଫ୍ରିଜ’ ରଖାଯିବା ନିଷ୍ପତ୍ତି ନିଆଯାଇଛି । ଫଳରେ ବିବିସିର ଆୟ କମି ଯିବା ବିଚାର କରାଯାଏ । ନୀତି ନିର୍ଦ୍ଧାରଣରେ ପରିବର୍ତ୍ତନର ଏହା ମଧ୍ୟ ଏକ କାରଣ ।

 

ବିବିସି ନିମନ୍ତେ ସରକାରୀ ଅନୁଦାନ କାଟ ଲାଗିରହିଛି । ପୂର୍ବରୁ ୨୦୧୦ରେ ଟେଲିଭିଜନ ପ୍ରସାରଣ ଟିକସ ବାର୍ଷିକ ବୃଦ୍ଧି ସ୍ଥଗିତ ରଖାଯିବାପରେ ବିବିସିର ଆୟ ୨୦ ପ୍ରତିଶତ କମିଯାଇଥିଲା । ଏହି ଅବସରରେ ଦୁଇହଜାର ନିଯୁକ୍ତି ହ୍ରାସ କରାଯାଇଥିଲା । ଖର୍ଚ୍ଚ କାଟ ଲାଗି ୨୦୧୬ରେ ତିନିଗୋଟି ଟେଲିଭିଜନ ଚ୍ୟାନେଲ ବନ୍ଦ ହୋଇ ଡ଼ିଜିଟାଲ ମଞ୍ଚକୁ ସ୍ଥାନାନ୍ତରିତ ହୋଇଥିଲା । ବିବିସିର ଭବିଷ୍ୟତ ପଦକ୍ଷେପ ନିର୍ଦ୍ଧାରଣ ପୂର୍ବପ୍ରସ୍ତୁତିରେ ୨୦୧୭ରେ ଘୋଷିତ ନୀତି ଅନୁଯାୟୀ ରେଡ଼ିଓ ଓ ଟେଲିଭିଜନ କାର୍ଯ୍ୟକ୍ରମ ବିଭିନ୍ନ ଦର୍ଶକ ବର୍ଗଙ୍କ ରୁଚ଼ି ଅନୁଯାୟୀ ସଂପ୍ରସାରଣ ଓ ଶିଶୁକେନ୍ଦ୍ରୀକ କାର୍ଯ୍ୟକ୍ରମର ଡିଜିଟାଲ ରୂପାନ୍ତର ନିମନ୍ତେ ଗୁରୁତ୍ୱ ପ୍ରଦାନ ଅନ୍ୟତମ । ସେହିପରି କ୍ରମବିକଶିତ ଷ୍ଟ୍ରୀମିଂ ମଞ୍ଚଗୁଡ଼ିକର ପ୍ରତିଯୋଗିତାର ସଫଳ ମୁକାବିଲା ନିମନ୍ତେ ୨୦୦୭ରୁ ଆରମ୍ଭ ହୋଇଥିବା ‘ଆଇ-ପ୍ଳେୟାର’ ଭିଡ଼ିଓ-ଅନ-ଡିମାଣ୍ଡ ମଞ୍ଚକୁ ୨୦୧୩ରୁ ସଶକ୍ତ କରାଯାଇଥିଲା ।

 

ବିବିସିର ପ୍ରସ୍ତାବିତ ଡ଼ିଜିଟାଲ-ଫାଷ୍ଟ ନୀତିରେ ପ୍ରଥମତଃ, ଷ୍ଟ୍ରୀମିଂ ମଞ୍ଚ ‘ଆଇ-ପ୍ଳେୟାର’କୁ ଗୁରୁତ୍ୱ ଦିଆଯିବ । ସମୁଦାୟ ଶ୍ରୋତା ଓ ଦର୍ଶକଙ୍କ ମଧ୍ୟରୁ ୭୫ ପ୍ରତିଶତ ଷ୍ଟ୍ରୀମିଂ ସେବାକୁ ଅପସାରିତ ହେବା ଲକ୍ଷ୍ୟ ରଖି କାର୍ଯ୍ୟକ୍ରମ ପ୍ରଯୋଜନା ଓ ପ୍ରସାରଣ ଆୟୋଜନ ପ୍ରତି ଧ୍ୟାନ ଦେବା ସ୍ଥିରୀକୃତ ହୋଇଛି । ଏହି ନିଷ୍ପତ୍ତି ସମୟଉପଯୋଗୀ ମନେହୁଏ । ମହାମାରୀ-ପୂର୍ବାବସ୍ଥାରେ ଟେଲିଭିଜନ, ଚଳଚ଼ିତ୍ର ଓ ରେଡ଼ିଓ ପ୍ରସାରଣକୁ ଷ୍ଟ୍ରୀମିଂ ସେବା ଟକ୍କର ଦେବା ନିମନ୍ତେ ବୈଷୟିକ କୌଶଳ ଏକତ୍ର କରିବା ଦିଗରେ ସଫଳ ହୋଇପାରିଥିବା ତଥା ମହାମାରୀ କାଳରେ ବିଶ୍ୱବ୍ୟାପୀ ଜନପଦ ବନ୍ଦ ଅବସରରେ ଗୃହାବଦ୍ଧ ଜନସାଧାରଣ ଡିଜିଟାଲ ମଞ୍ଚ ସହ ଅଭ୍ୟସ୍ତ ହୋଇସାରିବାପରେ ମହାମାରୀ-ପର ଅବସ୍ଥାରେ ପୁଣି ଥରେ ପାରମ୍ପରିକ ଗଣମାଧ୍ୟମ ଢାଞ୍ଚାକୁ ଫେରିବାକୁ ଅମଙ୍ଗ । ଏହି ପରିବର୍ତ୍ତନ ଉଭୟ ବିକଶିତ ଓ ବିକାଶଶୀଳ ଦୁଇ ପର୍ଯ୍ୟାୟର ପରିବେଶରେ ଅନୁଭୂତ । ଅତଏବ ପ୍ରସାରଣ ଓ ଆହରଣ କ୍ଷେତ୍ରରେ ବିଭିନ୍ନ ଗଣମାଧ୍ୟମ ମଞ୍ଚରେ ଏକତ୍ରୀକରଣ ‘କନସୋଲିଡ଼େସନ’ ସମୃଦ୍ଧ ଷ୍ଟ୍ରୀମିଂ ସେବାକୁ ହିଁ ଭବିଷ୍ୟତ ବିଚାର କରାଯାଇପାରେ ।

 

ଦ୍ୱିତୀୟତଃ, ବିବିସିର ଡ଼ାଇରେକ୍ଟର-ଜେନେରାଲ ଟିମ ଡ଼ାଭେଙ୍କ ବିଚାରରେ ଶ୍ରୋତା ଓ ଦର୍ଶକ ଯେଉଁ ଉପାଦାନ, ଯେଉଁ ଢ଼ଙ୍ଗରେ ଚାହୁଁଛନ୍ତି, ତାହାକୁ ଭିତ୍ତିକରି ନୀତି ନିର୍ଦ୍ଧାରଣ କରାଯିବା ଉଚ଼ିତ । ଅର୍ଥାତ, ଶ୍ରୋତା ଓ ଦର୍ଶକଙ୍କ ରୁଚ଼ି ଅନୁଯାୟୀ କାର୍ଯ୍ୟକ୍ରମ ପରିବର୍ତ୍ତନ ସାଙ୍ଗକୁ ସେମାନେ କେଉଁ ବୈଷୟିକ କୌଶଳ ଆଧାରିତ ଉପକରଣ ଓ ମଞ୍ଚରେ କାର୍ଯ୍ୟକ୍ରମ ଶୁଣିବା ଓ ଦେଖିବା ନିମନ୍ତେ ଆଗ୍ରହୀ ସେଥିପ୍ରତି ପ୍ରାଥମିକତା ଦେବାକୁ ପଡ଼ିବ । ଇଣ୍ଟରନେଟର ବ୍ୟାପ୍ତି ଓ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ପରେ ଜନସାଧାରଣ ହାତପାଆନ୍ତାରେ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ଆହରଣ କ୍ଷମତାର ଅଧିକାରୀ ହେବାପରେ ଷ୍ଟ୍ରୀମିଂ ମଞ୍ଚର ଲୋକପ୍ରିୟତା ବୃଦ୍ଧି ଯୁକ୍ତିଯୁକ୍ତ । ବିବିସିର ଷ୍ଟ୍ରୀମିଂ ମଞ୍ଚକୁ ପ୍ରାଧାନ୍ୟ ଉଦାହରଣ ଦେଶବିଦେଶରେ ଗଣମାଧ୍ୟମ ନିବେଶରେ ସାବଧାନତା ଅବଲମ୍ୱନକୁ ସୂଚାଇଥାଏ ।

 

ତୃତୀୟତଃ, ବିବିସି ପକ୍ଷରୁ କୁହାଯାଇଛି ଯେ ଯେଉଁ ଚ୍ୟାନେଲ ଓ କାର୍ଯ୍ୟକ୍ରମଗୁଡ଼ିକ ଲୋକପ୍ରିୟ ହୋଇପାରୁ ନାହିଁ, ସେଗୁଡ଼ିକୁ ହଟାଇ ଦିଆଯିବ । ସେହିପରି ଅନାବଶ୍ୟକ ଅମଲାତାନ୍ତ୍ରିକ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ପ୍ରଯୋଜନା ଖର୍ଚ୍ଚ ହ୍ରାସ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯିବ । ଆଧୁନିକ ପରିଚାଳନା ତତ୍ତ୍ୱରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣରେ ଅକ୍ଷମ ଉପାଦାନ, ରକ୍ଷଣଶୀଳ ବ୍ୟବସ୍ଥା ଓ ଉଦବୃତ୍ତ ଖର୍ଚ୍ଚକୁ ରୋକିବା ନିମନ୍ତେ ଗୁରୁତ୍ୱ ଦିଆଯାଇଥାଏ । ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ନିବେଶ ଓ ଆୟ ସଂକୁଚ଼ିତ ହୋଇଥିବା ଏବଂ ପ୍ରଭାବ ଦୀର୍ଘକାଳବ୍ୟାପୀ ଅନୁଭୂତ ହେବା ଆକଳନ କରାଯାଉଥିବା ହେତୁ ଏହାର ମୁକାବିଲା ଦିଗରେ ସମସ୍ତ ପଦକ୍ଷେପ ଆବଶ୍ୟକୀୟ ମନେହୁଏ ।

 

ଚ଼ତୁର୍ଥତଃ, ବିବିସି ଉଭୟ ବ୍ରିଟେନ ଓ ବୈଦେଶିକ ବଜାରରେ ଏହାର ସ୍ୱାଧୀନ, ବିଶ୍ୱସନୀୟ ଓ ଗୁଣାତ୍ମକ ସମ୍ୱାଦ ଓ ଚଳନ୍ତି ଘଟଣା ପ୍ରବାହ ‘କରେଣ୍ଟ ଏଫାୟର୍ସ’ କାର୍ଯ୍ୟକ୍ରମରେ ପାରଦର୍ଶିତା ଲାଭ କରିଆସିଥିବା ହେତୁ ଏହି ଦିଗରେ ସଶକ୍ତିକରଣ ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ଲାଗି ନୀତି ଗୃହୀତ ହୋଇଛି । ଏହି ପର୍ଯ୍ୟାୟରେ ଅଧିକ କାର୍ଯ୍ୟକ୍ରମ ପ୍ରଯୋଜନା ସାଙ୍ଗକୁ ଏକକ ୨୪ ଘଣ୍ଟିଆ ବିଶ୍ୱ ସମ୍ୱାଦ ବୁଲେଟିନ ପ୍ରସାରଣ ପ୍ରତି ଗୁରୁତ୍ୱାରୋପ କରାଯାଇଛି । ସମ୍ୱାଦ ପ୍ରସାରଣ ନିମନ୍ତେ ଲକ୍ଷ୍ୟବଦ୍ଧ ଚ୍ୟାନେଲଗୁଡ଼ିକ ସେଦିଗରେ ଗୁଣାତ୍ମକ ବିକାଶ ସାଧନ ବଦଳରେ ସେଥିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଖଞ୍ଜିବା ଭଳି ମାନସିକତା ଶସ୍ତା ଲୋକପ୍ରିୟତା ହାସଲ କରିପାରେ, କିନ୍ତୁ ବିଶ୍ୱସନୀୟତା ହ୍ରାସର କାରଣ ହୁଏ । ଫଳରେ ଦୀର୍ଘମାଆଦୀ ସୂତ୍ରରେ ସମ୍ୱାଦ ମଞ୍ଚ ନିଜର ମୌଳିକତା ହରାଇବସେ । ବିବିସିର ନୀତି ନିର୍ଦ୍ଧାରଣ ଅନ୍ୟମାନଙ୍କ ନିମନ୍ତେ ଏକ ଉଦାହରଣ ।

 

ପଞ୍ଚମତଃ, ଉଭୟ ରେଡ଼ିଓ ଓ ଟେଲିଭିଜନ ପ୍ରସାରଣ ଲାଗି ଆଞ୍ଚଳିକ କାର୍ଯ୍ୟକ୍ରମ ପ୍ରଯୋଜନାରେ ଉତ୍କର୍ଷ ହାସଲ ନିମନ୍ତେ ମଧ୍ୟ ବିବିସି ପକ୍ଷରୁ ଯୋଜନା କରାଯିବ । ଏକପକ୍ଷରେ ପ୍ରସାରଣ ଡ଼ିଜିଟାଲ-ଫାଷ୍ଟ ଢ଼ାଞ୍ଚାକୁ ଅପସାରିତ ହେଲେ ଗଭୀର ଆଞ୍ଚଳିକ ‘ହାଇପର-ଲୋକାଲ’ ସ୍ତରରେ କାର୍ଯ୍ୟକ୍ରମ ପ୍ରଯୋଜନା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ହେବ । ଅପରପକ୍ଷରେ ସାଧାରଣ ଗଣମାଧ୍ୟମ ଉପଭୋକ୍ତା ଗଭୀର ଆଞ୍ଚଳିକଭିତ୍ତିକ ସମ୍ୱାଦ ଓ କାର୍ଯ୍ୟକ୍ରମ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ହେତୁ ସେମାନଙ୍କ ରୁଚି ଚ଼ରିତାର୍ଥ କରିବା ସଙ୍ଗେ ସୋସିଆଲ ମିଡ଼ିଆର ପ୍ରତିଯୋଗିତା ନିମନ୍ତେ ସକ୍ଷମ ହୋଇପାରିବ । ବିଗତ ଦଶବର୍ଷରୁ କୁହାଯାଇ ଆସୁଛି ଯେ ଗଣମାଧ୍ୟମର ସଫଳତା ଏଣିକି ଉପାଦନଭିତ୍ତିକ ‘କଣ୍ଟେଣ୍ଟ ଇଜ ଦି କିଙ୍ଗ’ । ବିବିସି ସେହି ତତ୍ତ୍ୱ ଚ଼ରିତାର୍ଥ କରିବା ନିମନ୍ତେ ବଦ୍ଧପରିକର ଥିବା ଲକ୍ଷ୍ୟ କରାଯାଇପାରେ ।

 

ବିବିସି ଏକ ଲୋକସେବା ଗଣମାଧ୍ୟମ ପ୍ରତିଷ୍ଠାନ ‘ପବ୍ଳିକ ସର୍ଭିସ ମିଡିଆ ଅର୍ଗାନାଇଜେସେନ’ ଭାବେ ଗଢ଼ି ଉଠିଛି । ଇତିହାସ ପୃଷ୍ଠାରେ ବିଭିନ୍ନ ପରିବର୍ତ୍ତନର ସଫଳ ମୁକାବିଲା କରି ନିଜର ପ୍ରଭୁତ୍ୱ ବଜାୟ ରଖିବା ଏହାର ବୈଶିଷ୍ଟ୍ୟ । ପ୍ରସ୍ତାବିତ ନୀତି ନିର୍ଦ୍ଧାରଣରେ ଡ଼ିଜିଟାଲ ମଞ୍ଚରେ ଅଡ଼ିଓ କାର୍ଯ୍ୟକ୍ରମ ପ୍ରସ୍ତୁତି ସଂପର୍କୀତ ସମୀକ୍ଷା ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ଉପକ୍ରମ । ଗଣମାଧ୍ୟମ ବିଶେଷଜ୍ଞମାନେ ନିକଟଭବିଷ୍ୟତରେ ଅଡ଼ିଓ ବଜାର ବ୍ୟାପକ ବୃଦ୍ଧି ଆକଳନ କରୁଥିବା ବିବିସି ଉଦାହରଣରୁ ସୁସ୍ପଷ୍ଟ । କାର୍ଯ୍ୟକ୍ରମ ପ୍ରଯୋଜନା ଓ ପ୍ରସାରଣରେ ନୂତନ ନୀତି ତୁରନ୍ତ ଲାଗୁ କରାଯିବା ନେଇ କର୍ତ୍ତୃପକ୍ଷ ଘୋଷଣା କରିଥିଲେ । 

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁନ ୨୦୨୨


ତଥ୍ୟ:



Plan to deliver a digital-first BBC. 26 May 2022

 

https://www.bbc.co.uk/mediacentre/2022/plan-to-deliver-digital-first-bbc 

ସେମାଫୋର ସାମ୍ୱାଦିକତା

ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚ ମହାମାରୀ-ପର ‘ନ୍ୟୂ-ନରମାଲ’ରେ ସଂକଟର ସମ୍ମୁଖୀନ ହୋଇଥିବା ଅବସରରେ ୧୮ ଅକ୍ଟୋବର ୨୦୨୨ରେ ଏକ ନୂତନ ମାର୍କିନ ସମ୍ୱାଦ ମଞ୍ଚ ‘ସେମାଫୋର’ର ଆତ୍ମପ୍ରକାଶ ଗଣମାଧ୍ୟମ ପରିଧିରେ ସମୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପରିବର୍ତ୍ତିତ ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ବନ୍ଦ ହୋଇଯାଉଥିବା, ସମ୍ୱାଦ ମଞ୍ଚମାନଙ୍କ ମାଲିକାନା ବୃହତ ନିବେଶକମାନଙ୍କ ଦ୍ୱାରା ଅଧିଗୃହୀତ ହୋଇ ଏକତ୍ରୀକରଣ କରାଯାଉଥିବା ‘କନସୋଲିଡ଼େସନ ବାଇ ହେଡ଼ଜ ଫଣ୍ଡସ’ ଏବଂ ଡିଜିଟାଲ ସମ୍ୱାଦ ମଞ୍ଚରେ ବ୍ୟାପକ ସାମ୍ୱାଦିକ ଛଟେଇ ପ୍ରମୁଖ ଧାରା ପାଲଟିଛି । ଏହି ସମୟରେ ୨୦୦ କୋଟି ଟଙ୍କା ପ୍ରାରମ୍ଭିକ ବିନିଯୋଗରେ ୫୦ରୁ ଉର୍ଦ୍ଧ୍ୱ ସାମ୍ୱାଦିକଙ୍କୁ ନିଯୁକ୍ତି ଦେଇ ଦଶ ମାସର ପୂର୍ବ-ପ୍ରସ୍ତୁତି ପରେ ଏକ ନୂତନ ସ୍ୱାଧୀନ ଡ଼ିଜିଟାଲ ସମ୍ୱାଦ ମଞ୍ଚ ଉନ୍ମୋଚନ ଏହାର ପରିଚ଼ିତି ସଂପର୍କରେ ଉତ୍ସୁକତା ସୃଷ୍ଟି କରିଥାଏ ।

 

‘ସେମାଫୋର-ଡ଼ଟ-କମ’ ଏକ ନିଉଜ ୱେବସାଇଟ ରୂପେ ପ୍ରକାଶିତ । ଏଥିସହ ଆଠଗୋଟି ଇମେଲ-ନିଉଜଲେଟର ଏବଂ ଉତ୍ସବାନୁଷ୍ଠାନ ଆୟୋଜନ ‘ଇଭେଣ୍ଟ’ ବ୍ୟବସାୟ ମଧ୍ୟ ସାମିଲ ହୋଇଛି । ଉଭୟ ୱେବସାଇଟ ଓ ନିଉଜଲେଟର ପ୍ରଥମ ବର୍ଷରୁ ଦେଢ଼ ବର୍ଷ ଯାଏଁ ଉପଭୋକ୍ତା ନିମନ୍ତେ ବିନା ମୂଲ୍ୟରେ ଆହରଣ ବ୍ୟବସ୍ଥା କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଗ୍ରାହକ ଚାନ୍ଦା ଆଦାୟ ହୋଇପାରେ । ପ୍ରାଥମିକସ୍ତରରେ ବିଜ୍ଞାପନ-ଆଶ୍ରିତ ମଡ଼େଲରେ ବିକଶିତ ହେବ । ତେବେ ଖୁଚୁରା ବିଜ୍ଞାପନ ବଦଳରେ କରପୋରେଟ ରେପୁଟେସନ ଓ ବ୍ରାଣ୍ଡ ଏଡ଼ଭାଟାଇଜିଂ ପ୍ରତି ଗୁରୁତ୍ୱାରୋପ କରାଯିବ । ଫାଇଜର ଓ ଭେରିଜୋନ ଭଳି ବୃହତ ବ୍ୟାବସାୟିକ ସଂସ୍ଥା ସହବନ୍ଧିତ ହୋଇଛନ୍ତି ।

 

‘ସେମାଫୋର’ ଦୁଇଜଣ ଖ୍ୟାତନାମା ମାର୍କିନ ସାମ୍ୱାଦିକ ବେନ ସ୍ମିଥ ଓ ଜଷ୍ଟିନ ସ୍ମିଥଙ୍କ ଦ୍ୱାରା ବିକଶିତ । ବେନ ସ୍ମିଥ ‘ଦି ନିଉୟର୍କ ଟାଇମ୍ସ’ର ମିଡ଼ିଆ ରିପୋର୍ଟର ଓ ‘ବଜଫିଡ଼’ର ମୁଖ୍ୟ-ସମ୍ପାଦକ ରୂପେ କାର୍ଯ୍ୟ କରିଥିଲେ । ଜନ ସ୍ମିଥ ‘ବ୍ଳୁମବର୍ଗ’ର ସିଇଓ ରୂପେ ଅବସ୍ଥାପିତ ଥିଲେ । ଦିହିଁଙ୍କ ସମ୍ପାଦନା କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ରହିଛି । ଦିହେଁ ସ୍ମିଥ ସାଙ୍ଗିଆଧାରୀ ହେଲେହେଁ ଆତ୍ମୀୟ ନୁହନ୍ତି । ନୂତନ ସମ୍ୱାଦ ମଞ୍ଚ ଗଠନର ପୂର୍ବପ୍ରସ୍ତୁତି ନିମନ୍ତେ ଉଭୟ ଜାନୁୟାରୀ ୨୦୨୨ରୁ ପୂର୍ବ ପଦବୀଗୁଡ଼ିକରୁ ଇସ୍ତଫା ଦେଇଥିଲେ ।

 

ବେନ ସ୍ମିଥ କହିଥିଲେ ଯେ ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚଗୁଡ଼ିକ ପାଠକଙ୍କ ବିଶ୍ୱସନୀୟତା ହରାଇଥିବା ଏବଂ ସମ୍ୱାଦ ପରିବେଷଣରେ ଧୃବିକରଣ ବା ପକ୍ଷଭୁକ୍ତ ‘ପୋଲରାଇଜେସନ’ ସର୍ବାପେକ୍ଷା ଗୁରୁତର ସମସ୍ୟା । ‘ସେମାଫୋର’ ଏହି ଦୁଇ ସମସ୍ୟାର ସମାଧାନ ନିମନ୍ତେ ଉଦ୍ୟମ କରିବ । ଆନ୍ତର୍ଜାତିକସ୍ତରରେ କୋଡ଼ିଏ କୋଟି ମହାବିଦ୍ୟାଳୟସ୍ତର ଯାଏଁ ଅଧ୍ୟୟନ କରିଥିବା ଓ ଇଂଲିଶ ପଢ଼ି ପାରୁଥିବା ବିସ୍ତୃତ ପାଠକ ମଣ୍ଡଳୀଙ୍କ ନିକଟରେ ପହଞ୍ଚିବା ନିମନ୍ତେ ସ୍ମିଥ ଲକ୍ଷ୍ୟ ରଖିଛନ୍ତି । ବିମାନର ‘ବ୍ଳାକ ବକ୍ସ’ରେ ଉଡ଼ାଣ ସଂପର୍କୀତ ସମସ୍ତ ତଥ୍ୟ ଲିପିବଦ୍ଧ ରହୁଥିବା ଏବଂ ଏହାକୁ ଖୋଲିଲେ ସବୁକଥା ଜାଣି ହୋଇପାରୁଥିବା ଧାରାରେ ସମ୍ୱାଦକୁ ଏକକ ବଦଳରେ ବିଭିନ୍ନ ଦିଗରୁ ତଥ୍ୟ ଓ ଅଭିମତରେ ସମୃଦ୍ଧ କରିବା ଏବଂ ପାଠକଙ୍କ ଦ୍ୱାରା ଉନ୍ମୋଚନ ନିମନ୍ତେ ପରିବେଶ ପ୍ରସ୍ତୁତିକୁ ଅଗ୍ରାଧିକାର ଦିଆଯିବା ଉଚ଼ିତ ।

 

‘ସେମାଫୋର’ ମଞ୍ଚରେ ପ୍ରକାଶିତ ସମ୍ୱାଦ ଆଙ୍ଗିକକୁ ପାଞ୍ଚଗୋଟି ସ୍ତରରେ ବିଭକ୍ତ କରାଯାଏ । (୧) ସମ୍ୱାଦ, (୨) ସଂପୃକ୍ତ ସମ୍ୱାଦ ସଂଗ୍ରହ ତଥା ରଚନା କରିଥିବା ସାମ୍ୱାଦିକଙ୍କ ବିଶ୍ଳେଷଣ ‘ଭିଉ’, (୩) ବିପକ୍ଷ ଯୁକ୍ତି, (୪) ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଓ (୫) ସଂପୃକ୍ତ ସମ୍ୱାଦ ସଂପର୍କୀତ ଅନ୍ୟାନ୍ୟ ପ୍ରକାଶିତ ରଚନାର ସୂଚନା ବା ଲିଙ୍କ । ବହୁକ୍ଷେତ୍ରରେ କୌଣସି ସମ୍ୱାଦ ଗୋଟିଏ ସୂତ୍ରରୁ ବର୍ଣ୍ଣନା କଲେ ତାହା ସ୍ୱୟଂସଂପୂର୍ଣ୍ଣ ନ ହୋଇପାରିବା ଭୟ ଥାଏ । ଏହିଭଳି ସମସ୍ୟା ପ୍ରତିହତ କରିବା ନିମନ୍ତେ ଏକାଧିକ ଦୃଷ୍ଟିକୋଣ ଉପସ୍ଥାପନ ହେଲେ ଯାଇ ପାଠକୀୟ ଜିଜ୍ଞାଷା ପୂରଣ ସଂଭବପର ।

 

‘ସେମାଫୋର’ ମଞ୍ଚରେ ପ୍ରକାଶିତ ବହୁ ସଂବାଦ (୧) ମୂଳ ଘଟଣା ଓ (୨) ପୃଷ୍ଠଭୂମି ‘ନୋ-ମୋର’ ଦୁଇଗୋଟି ସ୍ତରରେ ବର୍ଣ୍ଣିତ ହୋଇଥିବା ଦେଖିବାକୁ ମିଳେ । ସମ୍ୱାଦଗୁଡ଼ିକ ଯଥା ସଂଭବ ସଂକ୍ଷିପ୍ତ ଏବଂ ଗୁଡ଼ାଏ ବଦଳରେ କେବଳ ଅପେକ୍ଷାକୃତ ଆଗ୍ରହ ଉଦ୍ଦୀପକ ସମ୍ୱାଦ ପ୍ରକାଶନରେ ସୀମିତ । ହୁଏତ ସେମାଫୋର ସାମ୍ୱାଦିକତାରେ (୧) କର୍ମବ୍ୟସ୍ତ ଉପଭୋକ୍ତାଙ୍କ ନିମନ୍ତେ କମ ସମୟ ଉପଯୋଗରେ ସମକାଳୀନ ଘଟଣାକ୍ରମ ସାମଗ୍ରିକ ରୂପରେ ଅବଗତ କରାଇବା ନିମନ୍ତେ ନିର୍ବାଚ଼ିତ ସମ୍ୱାଦ ଉପସ୍ଥାପନ କରାଯାଉଛି ଏବଂ (୨) ପ୍ରକାଶିତ ସମ୍ୱାଦଗୁଡ଼ିକ ସଂପର୍କରେ ଅଧିକ ଜାଣିବା ନିମନ୍ତେ ଉପଭୋକ୍ତାଙ୍କୁ ଅନ୍ୟତ୍ର ଖୋଜିବା ନିମନ୍ତେ ବାରଣ କରାଯାଉଛି । ଏହି ଧରଣର ସମ୍ୱାଦ ପ୍ରଯୋଜନା ଶୈଳୀ ପାଠକଙ୍କ ପସନ୍ଦ ହେବାର କାରଣ ରହିଛି ।

 

‘ସେମାଫୋର’ ମୂଳରୁ ଏକ ଆନ୍ତର୍ଜାତିକ ସମ୍ୱାଦ ମଞ୍ଚ ଭାବେ ବିକଶିତ । ମହାମାରୀ-ପର ନ୍ୟୂ-ନରମାଲରେ ସମଗ୍ର ବିଶ୍ୱବାସୀ ଅଧିକରୁ ଅଧିକ ପରସ୍ପର-ଯୋଗସୂତ୍ର-ଆବଦ୍ଧ ‘ଇଣ୍ଟରକନେକ୍ଟଡ଼ ୱାର୍ଲଡ’ ପରିବେଶରେ ପହଞ୍ଚିଥିବା ଅବସରରେ ଉପଭୋକ୍ତାଙ୍କ ସମ୍ମୁଖରେ ପ୍ରାଞ୍ଜଳ ଭାବେରେ ସମ୍ୱାଦ ପରିବେଷଣ ଗୁରୁତ୍ୱପୂର୍ଣ୍ଣ । ଜଳବାୟୁ ପରିବର୍ତ୍ତନ, ମହାମାରୀ, ଅସହିଷ୍ଣୁତା ବୃଦ୍ଧି, ପଣ୍ୟ-ଦ୍ରବ୍ୟ ଯୋଗାଣ କ୍ଷେତ୍ରରେ ବିଘଟନ, ରାଜନୀତିକ ଅସ୍ଥିରତା ଓ ସାମାଜିକ ଗଣମାଧ୍ୟମର ପ୍ରଭାବ ଭଳି ସମକାଳୀନ ବିଷୟବସ୍ତୁ ଜନଜୀବନକୁ ପ୍ରଭାବିତ କରୁଥିବା ହେତୁ ସମ୍ୱାଦ ପ୍ରଯୋଜନାରେ ଅଗ୍ରାଧିକାର ଦେବା ନିମନ୍ତେ ସ୍ଥିର କରାଯାଇଛି ।

 

ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ସାଙ୍ଗକୁ ସମ୍ୱାଦ ଚୟନ ଓ ରଚ଼ନାରେ ବିଶୋଧନ ‘ଫିଲଟର’ ପ୍ରକ୍ରିୟା ସେମାଫୋର ସାମ୍ୱାଦିକତାର ବୈଶିଷ୍ଟ୍ୟ ରୂପେ ଉପସ୍ଥାପିତ । ଡ଼ିଜିଟାଲ ସମ୍ୱାଦ ମଞ୍ଚର ବ୍ୟାପକ ପ୍ରସାର ପରେ ସମ୍ୱାଦ ଉପଭୋକ୍ତା ସମ୍ୱାଦ ପ୍ରାଚୁର୍ଯ୍ୟ ପରିବେଶରେ ଅଣନିଶ୍ୱାସୀ ହୋଇପଡୁଥିବା କାରଣରୁ ପ୍ରତିଷ୍ଠିତ ସମ୍ୱାଦ ମଞ୍ଚଗୁଡ଼ିକ ଅଳ୍ପମାତ୍ରାରେ ନିର୍ବାଚ଼ିତ ସମ୍ୱାଦ ପ୍ରକାଶନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଏଥି ସହ ପାରମ୍ପରିକ ମୁଦ୍ରିତ-ସମ୍ୱାଦପତ୍ରର ସମ୍ୱାଦ ଉପସ୍ଥାପନ ଶୈଳୀରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ସୂତ୍ରପାତ ହୋଇଛି । ମାର୍କିନ ସାମ୍ୱାଦିକତାରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଶେଷଭାଗରେ ଭକ୍ସ, ଏକ୍ସଓସ, ପଲିଟିକୋ, ପକ ଭଳି ସମ୍ୱାଦ ମଞ୍ଚ ନିଜସ୍ୱ ଶୈଳୀରେ ସମ୍ୱାଦ ପ୍ରକାଶନ ନିମନ୍ତେ ଉଦ୍ୟମ ଆରମ୍ଭ କରିଥିଲେ । ସେମାଫୋର ସାମ୍ୱାଦିକତାରେ ସମ୍ୱାଦଠାରୁ ଅଭିମତ କିପରି ଦୂରେଇ ରହିବ, ଏବଂ ସଂପୃକ୍ତ ସମ୍ୱାଦ ପ୍ରତି ବିଭିନ୍ନ ଗୋଷ୍ଠୀର ଦୃଷ୍ଟିକୋଣ ଉପସ୍ଥାପିତ ହୋଇପାରିବ ସେଥି ପ୍ରତି ଗୁରୁତ୍ୱ ଦିଆଯାଉଛି ।

 

ଫରାସୀ ଓ ଗ୍ରୀକ ଭାଷାରୁ ‘ସେମାଫୋର’ ଶବ୍ଦର ଉତ୍ସ ଚ଼ିହ୍ନଟ କରାଯାଏ । ବିଭିନ୍ନ ଭଙ୍ଗୀରେ ହସ୍ତ ଓ ପତାକା ପ୍ରଦର୍ଶନରେ ସାଙ୍କେତିକ ଭାବ ବିନିମୟକୁ ବୁଝାଏ । ଅତୀତରେ ବେତାର ଯୋଗାଯୋଗ ଅଭାବରେ ସମୁଦ୍ର ବକ୍ଷରେ ଦୂରବର୍ତ୍ତୀ ଜାହାଜଗୁଡ଼ିକରେ ଅବସ୍ଥାପିତ ନାବିକମାନେ ଏହି ପ୍ରଣାଳୀରେ ତଥ୍ୟ ଆଦାନ ପ୍ରଦାନ କରୁଥିଲେ । ଏତଦ୍ ବ୍ୟତୀତ ଫରାସୀ ଭାଷାରେ ଯାନବାହନ-ନିୟନ୍ତ୍ରଣ-ଆଲୋକସଜ୍ଜା ‘ଟ୍ରାଫିକ ଲାଇଟ’କୁ ମଧ୍ୟ ‘ସେମାଫୋର’ କୁହାଯାଏ । ଏକ ଆନ୍ତର୍ଜାତିକ ଡ଼ିଜିଟାଲ ମଞ୍ଚ ଭାବେ ‘ସେମାଫୋର’ ଏକ ନିଆରା ଉଦ୍ୟମ । ଏହାର ସଫଳତା ବିଭିନ୍ନ ରାଷ୍ଟ୍ରର ଜାତୀୟ ଓ ଆଞ୍ଚଳିକ ସମ୍ୱାଦ ମଞ୍ଚ ପରିଚାଳନାରେ ପ୍ରତିଫଳିତ ହେବା ଆଶା କରାଯାଇପାରେ । ମହାମାରୀରେ ବିଭିନ୍ନ କାରଣରୁ ପାରମ୍ପରିକ ଓ ସୋସିଆଲ ମିଡ଼ିଆରେ ସମ୍ୱାଦ ପ୍ରସାରଣ ବିଶ୍ୱସନୀୟତା ହରାଇବା ଅବସରରେ ପାଠକୀୟ ବିଶ୍ୱାସର ପୁନଃପ୍ରତିଷ୍ଠା ନିମନ୍ତେ ‘ସେମାଫୋର’ ଯେ ଏକ ବଳିଷ୍ଠ ପଦକ୍ଷେପ ଏଥିରେ ସନ୍ଦେହ ନାହିଁ ।

 

‘ସେମାଫୋର’ର ଆଭିମୁଖ୍ୟ ସଂପର୍କୀତ ୟୁଟ୍ୟୁବ ଭିଡ଼ିଓ :

 

Watch “Journalism is in trouble. But it’s not all bad news” on YouTube

 

https://youtu.be/Js8NB1jHXck

 

Watch “We’re redesigning the news article” on YouTube

 

https://youtu.be/6jlZHgMovlE  

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୮ ଅକ୍ଟୋବର ୨୦୨୨


ତଥ୍ୟ:



https://www.semafor.com/about

 

Bander, David/apnews.com/October 18, 2022

 

https://apnews.com/article/business-new-york-newspapers-5ee106d0e0f158e711910c71d36097d8

 

Allsop, Jon/ cjr.org/October 19, 2022

Semaform and function – Columbia Journalism Review

 

https://www.cjr.org/the_media_today/semafor_launch_review.php

ଦି କନଭରସେସନ

ଆନ୍ତର୍ଜାତିକସ୍ତରରେ ଲୋକାଭିମୁଖୀ ଗୁଣାତ୍ମକ ଡିଜିଟାଲ ସାମ୍ୱାଦିକତାରେ ଅଗ୍ରଣୀ ମଞ୍ଚଗୁଡ଼ିକ ମଧ୍ୟରେ ଆଷ୍ଟ୍ରେଲିଆଭିତ୍ତିକ ‘ଦି କନଭରସେସନ’ ଅନ୍ୟତମ । ଏହା ଏକ ସମ୍ୱାଦ ୱେବସାଇଟ । ସାଂପ୍ରତିକ ସମାଜ, ରାଜନୀତି, ବିଜ୍ଞାନ, ସ୍ୱାସ୍ଥ୍ୟ ଓ ପରିବେଶ ଇତ୍ୟାଦି ଘଟଣାକ୍ରମ ସଂପର୍କରେ ବିଶ୍ୱବିଦ୍ୟାଳୟ ଓ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅବସ୍ଥାପିତ ବିଦ୍ୱାନମାନଙ୍କ ଦୃଷ୍ଟିକୋଣ ଏହି ମଞ୍ଚରେ ପ୍ରକାଶିତ ସମ୍ୱାଦରେ ସନ୍ନିବଶିତ । ଏହା ଅନୁଶୀଳନ ସାମ୍ୱାଦିକତା ‘ଏକ୍ସପ୍ଲେନେଟରୀ ଜର୍ଣ୍ଣାଲିଜମ’ ପର୍ଯ୍ୟାୟଭୁକ୍ତ ।


 

ଆଷ୍ଟ୍ରେଲିଆର ମେଲବର୍ଣ୍ଣ ସହରରେ ୨୦୧୧ରେ ଏକ ଉପକ୍ରମ ‘ଷ୍ଟାର୍ଟଆପ’ଭାବେ ଆତ୍ମପ୍ରକାଶ କରିଥିବା ‘ଦି କନଭରସେସନ’ ଦଶ ବର୍ଷ ମଧ୍ୟରେ ୨୦୨୧ ସୁଦ୍ଧା ଆଠଗୋଟି ରାଷ୍ଟ୍ରରେ ସଂସ୍କରଣମାନ ପ୍ରକାଶ କରିବାରେ ସକ୍ଷମ ହୋଇପାରିଛି । ମୂଳ ସଂସ୍କରଣ ଆରମ୍ଭର ଦୁଇବର୍ଷ ପରେ ୨୦୧୩ରେ ବ୍ରିଟେନ, ୨୦୧୪ରେ ଯୁକ୍ତରାଷ୍ଟ୍ର ଆମେରିକା, ୨୦୧୫ରେ ଫ୍ରାନ୍ସ ଓ ଆଫ୍ରିକା, ୨୦୧୭ରେ କାନାଡ଼ା ଓ ଇଣ୍ଡେନେସିଆ ଏବଂ ୨୦୧୮ରେ ସ୍ପେନରୁ ପ୍ରକାଶନ ଆରମ୍ଭ ହୋଇଥିଲା । ଏହା ଇଂଲିଶ, ଫ୍ରେଞ୍ଚ, ସ୍ପାନିଶ ଓ ଇଣ୍ଡୋନେସିଆ ଭାଷାରେ ଉପଲବ୍ଧ ।


 

ସାଧାରଣ ସମ୍ୱାଦ ମଞ୍ଚଭଳି ‘ଦି କନଭରସେସନ’ର ସମ୍ପାଦକ ମଣ୍ଡଳୀ ଦୈନନ୍ଦିନ ବିଭିନ୍ନ ସୂତ୍ରରୁ ପ୍ରକାଶନ ନିମନ୍ତେ ସମ୍ୱାଦ ଚ଼ିହ୍ନଟ କରିଥାନ୍ତି । ତେବେ ଏଠାକାର ସମ୍ୱାଦ ପ୍ରଯୋଜନା ଅନ୍ୟମାନଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ । ପ୍ରତ୍ୟେକ ସମ୍ୱାଦର ବିଷୟବସ୍ତୁ ଅନୁଯାୟୀ ବିଶ୍ୱବ୍ୟାପୀ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅବସ୍ଥାପିତ ଜଣେ ବିଶେଷଜ୍ଞଙ୍କୁ ସମ୍ୱାଦଟିର ପାଠ୍ୟ ରଚନା ନିମନ୍ତେ ନିର୍ବାଚିତ କରାଯାଇଥାଏ । ‘ଦି କନଭରସେସନ’ର ସାମ୍ୱାଦିକ ବିଶେଷଜ୍ଞଙ୍କୁ ସମ୍ୱାଦ ରଚନାରେ ସହାୟତା କରିଥାନ୍ତି । ମୁଖ୍ୟତଃ ଭାଷା ଓ ଶୈଳୀ କିପରି ସାଧାରଣ ପାଠକଙ୍କ ବୋଧଗମ୍ୟ ହେବ ସେଦିଗରେ ସାମ୍ୱାଦିକ ଯତ୍ନବାନ ହୋଇଥାନ୍ତି ।


 

‘ଦି କନଭରସେସନ’ର ଆଠଗୋଟି ରାଷ୍ଟ୍ରୀୟ ସଂସ୍କରଣରେ ଦେଢ଼ ଶହରୁ ଉର୍ଦ୍ଧ୍ୱ ନିୟମିତ ସାମ୍ୱାଦିକ କାର୍ଯ୍ୟରତ ଥିବା ସ୍ଥଳେ ପ୍ରାୟ ଏକ ଲକ୍ଷ ୩୬ ହଜାର ଶିକ୍ଷାବିତଙ୍କ ସହ ସଂପର୍କ ସ୍ଥାପନ କରିଥାନ୍ତି । ସମ୍ୱାଦମଞ୍ଚରେ ଏକ ସ୍ୱତନ୍ତ୍ର ପବ୍ଳିସିଂ ଓ କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସଫଟୱେର ବ୍ୟବହୃତ ହୋଇଥାଏ । ଏତଦ୍ୱାରା ଏତେ ସଂଖ୍ୟକ ବିଶେଷଜ୍ଞଙ୍କ ସହ ଯୋଗାଯୋଗ ସହ ଯେକୌଣସି ସମ୍ୱାଦ ପ୍ରସ୍ତୁତି କାଳରେ ବିଶେଷଜ୍ଞ ଓ ସାମ୍ୱାଦିକ ଭର୍ଚୁଆଲ ପରିବେଶରେ ସମକାଳ ‘ରିଏଲ ଟାଇମ’ରେ ଏକାଠି କାର୍ଯ୍ୟକରିବା ସୁଯୋଗ ମିଳିଥାଏ । ଏହି ବୈଷୟିକ କୌଶଳ ସମ୍ୱାଦ ମଞ୍ଚର ସ୍ୱାତନ୍ତ୍ର୍ୟ ।


 

ସମ୍ୱାଦ ରଚନା କାଳରେ ସାମ୍ୱାଦିକ ସମ୍ୱାଦର ବିଷୟବସ୍ତୁ ବୁଝିବାକୁ ଚେଷ୍ଟା କରିଥାନ୍ତି । ସଂପୃକ୍ତ ବିଷୟରେ ସାମ୍ୱାଦିକଙ୍କ ଜ୍ଞାନ, ତଥ୍ୟାବଳୀ ଅନୁଶୀଳନରେ ଦକ୍ଷତା ଓ ଦୃଷ୍ଟିକୋଣ ରଚିତ ସମ୍ୱାଦର ଗୁଣବତ୍ତାକୁ ପ୍ରଭାବିତ କରେ । ଏକବିଂଶ ଶତାଦ୍ଦୀ ସୁଦ୍ଧା ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅବସ୍ଥାପିତ ବିଦ୍ୱାନମାନେ ବିଭିନ୍ନ ବିଷୟରେ ଦୀର୍ଘକାଳ ଧରି ଅଧ୍ୟୟନ ଓ ଗବେଷଣାରେ ସଂପୃକ୍ତ । ଯେକୌଣସି ଘଟଣାକ୍ରମ ସଂପର୍କରେ ଯୁକ୍ତିଯୁକ୍ତ ଦୃଷ୍ଟିକୋଣ ଉପସ୍ଥାପନ ନିମନ୍ତେ ସାମର୍ଥ୍ୟ ଉପଲବ୍ଧ । ତେବେ ବିଶ୍ୱବିଦ୍ୟାଳୟ ତଥା ଉଚ୍ଚତର ଶିକ୍ଷାନୁଷ୍ଠାନୁଗଡ଼ିକର ଦକ୍ଷତାରେ ସାଧାରଣ ସାମ୍ୱାଦିକତାରେ ଅତିକମ ମାତ୍ରାରେ ଉପଯୋଗ ହୋଇଥାଏ ।


 

‘ଦି କନଭରସେସନ’ ଆଣ୍ଡ୍ର୍ୟୁ ଜାସପାନ ଓ ଜାକ ରେଇଟମେନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଆଣ୍ଡ୍ର୍ୟୁ ୨୦୦୯ରେ ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ସେଠାକାର ଅଧ୍ୟାପକମାନଙ୍କ ଗବେଷଣା ତଥା ବିଭିନ୍ନ ବିଷୟରେ ଦୃଷ୍ଟିକୋଣ ଜନସାଧାରଣଙ୍କ ନିକଟରେ ଡିଜିଟାଲ ମାଧ୍ୟମରେ ପହଞ୍ଚାଇବା ନିମନ୍ତେ ଏକ ବିଜିନେସ ମଡ଼େଲରେ ସମ୍ମତ୍ତି ତଥା ୬୦ ଲକ୍ଷ ଆଷ୍ଟ୍ରେଲୀୟ ଡ଼ଲାର ଅନୁଦାନ ନେଇ ‘ଦି କନଭରସେସନ ମିଡ଼ିଆ ଗୃପ’ ଜନ୍ମ ନେଇଥିଲା ।


 

ଡ଼ିଜିଟାଲ ମଞ୍ଚଟି ଏକ ଲାଭ-ରହିତ ‘ନନ-ପ୍ରଫିଟ’ ସଂସ୍ଥା ରୂପେ ଗଢ଼ି ଉଠିଛି । ଏହାର ୱେବସାଇଟ ପଢ଼ିବା ଏବଂ ୱେବସାଇଟରେ ପ୍ରକାଶିତ ରଚନାବଳୀ ପୁନଃପ୍ରକାଶନ ନିମନ୍ତେ କୌଣସି ଦେୟ ଦେବାକୁ ପଡ଼ିନଥାଏ । ସଂସ୍ଥାର ହିସାବ ଅନୁଯାୟୀ ୨୦୧୯ ସୁଦ୍ଧା ମାସିକ ଚାରି କୋଟି ‘ପେଜ-ଭ୍ୟୁ’ ଥିବା ସ୍ଥଳେ ୨୦୨୦ରେ ଆଠ କୋଟି ଦଶ ଲକ୍ଷକୁ ବୃଦ୍ଧି ପାଇଥିଲା । ଏହାର ରଚନାଗୁଡ଼ିକର ପୁନଃପ୍ରକାଶନ ନିଃଶୁକ୍ଳ ଥିବା ହେତୁ ବିଶ୍ୱବ୍ୟାପୀ ୨୨ ହଜାର ୱେବସାଇଟ ବ୍ୟବହାର କରିଥାନ୍ତି । ଏହା ୯୦ ଗୋଟି ରାଷ୍ଟ୍ରରେ ୨୩ ଗୋଟି ଭାଷାରେ ପୁନଃପ୍ରକାଶିତ ହୋଇଥାଏ ।


 

‘ଦି କନଭଲସେସନ’ ବିଜ୍ଞାପନ ଗ୍ରହଣ କରେନାହିଁ । ବିଶ୍ୱବିଦ୍ୟାଳୟଗୁଡ଼ିକ ମଞ୍ଚ ସହବନ୍ଧିତ ହେବା ନିମନ୍ତେ ନିର୍ଦ୍ଧାରିତ ଚାନ୍ଦା ଦେଇଥାନ୍ତି । ଉଦାହରଣରେ ଯୁକ୍ତରାଷ୍ଟ୍ର ଆମେରିକାର ୬୪ ଗୋଟି ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ମଞ୍ଚ ସହବନ୍ଧିତ । ସେହିପରି ବ୍ରିଟେନ ଓ ୟୁରୋପୀୟ ରାଷ୍ଟ୍ରପୁଞ୍ଜରେ ୧୪୫ ଗୋଟି ବିଶ୍ୱବିଦ୍ୟାଳୟ ସଂପୃକ୍ତ । ସେଥି ମଧ୍ୟରେ ଅକ୍ସଫୋର୍ଡ଼ ଓ କେମ୍ୱ୍ରିଜ ଅନ୍ତର୍ଭୁକ୍ତ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅବସ୍ଥାପିତ ଅଧ୍ୟାପକମାନେ ମଞ୍ଚରେ ସମ୍ୱାଦ ରଚନା କରିବା ନିମନ୍ତେ ଅଗ୍ରାଧିକାର ପାଇଥାନ୍ତି । ଏହି ପ୍ରଣାଳୀରେ ନିର୍ଦ୍ଦିଷ୍ଟ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଶ୍ୱବ୍ୟାପୀ ପ୍ରଚାରିତ ହେବା ସୁଯୋଗ ସୃଷ୍ଟି ହୋଇଥାଏ । ଏତଦ୍ ବ୍ୟତୀତ ମଞ୍ଚ ସହବନ୍ଧିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆହୂତ ଗବେଷଣାଗୁଡ଼ିକର ନିର୍ଯ୍ୟାସ ପ୍ରକାଶନର ମଧ୍ୟ ବ୍ୟବସ୍ଥା କରାଯାଇଥାଏ ।


 

ପାଠକ, ଦାତବ୍ୟ ଅନୁଷ୍ଠାନ ଓ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକରୁ ମଞ୍ଚ ଦାନ ସଂଗ୍ରହ କରେ । ନିର୍ଦ୍ଦିଷ୍ଟ ବିଷୟବସ୍ତୁ ସଂପର୍କରେ ରଚ଼ନା ପ୍ରସ୍ତୁତି ନିମନ୍ତେ ମଧ୍ୟ ପ୍ରାୟୋଜିତ ‘ସ୍ପୋନସରସିପ’ଭିତ୍ତିରେ ଅନୁଦାନ ଗ୍ରହଣ କରାଯାଏ । ମହାମାରୀ ଅବସରରେ ସ୍ୱାସ୍ଥ୍ୟ ସଂପର୍କୀତ ସମ୍ୱାଦର ଚାହିଦା ବୃଦ୍ଧି ପାଇଥିଲା । ପାଠକ ନିର୍ଭରଯୋଗ୍ୟ ସମ୍ୱାଦ ଖୋଜିଥିଲେ । ‘ଦି କନଭରସେସନ’ର ପାଠକ ସଂଖ୍ୟା ଏହି ସମୟସୀମାରେ ଦ୍ୱିଗୁଣିତ ହୋଇଯାଇଥିଲା । ଉଦାହରଣରେ ମଞ୍ଚରେ ପ୍ରକାଶିତ ‘ହ୍ୱାଟ ଇଜ ଦି ଡ଼ିଫରେନ୍ସ ବିଟିୱିନ ପାଣ୍ଡାମିକ, ଏପିଡ଼େମିକ ଏଣ୍ଡ ଆଉଟବ୍ରେକ’ ରଚନାଟି ନଅ ଲକ୍ଷ ପାଠକ ପଢ଼ିଥିଲେ ।


 

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ବିଶ୍ୱବ୍ୟାପୀ ପାରମ୍ପରିକ ଓ ଡିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକ ବିଜ୍ଞାପନ ଓ ଗ୍ରାହକ ଆୟ ହ୍ରାସ କାରଣରୁ ସମସ୍ୟାରେ ଉପନୀତ ହୋଇଥିବା ସ୍ଥଳେ ‘ଦି କନଭରସେସନ’ର ବ୍ୟାବସାୟିକ ମଡ଼େଲ ଏକ ବ୍ୟତିକ୍ରମ । ବିଶ୍ୱସନୀୟ, ଗୁଣାତ୍ମକ ଓ ଲୋକାଭିମୁଖୀ ସାମ୍ୱାଦିକତା ଯେ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ସମ୍ଭବ ତାହାର ଏକ ଜ୍ୱଳନ୍ତ ପ୍ରମାଣ । ବୈଷୟିକ କାରିଗରୀ କୌଶଳ କିପରି ଆନ୍ତର୍ଜାତିକ ସମ୍ୱାଦ ସରବରାହକୁ ସୁଚାରୁରୂପେ ଉଭୟ ସୃଜନ ଓ ପ୍ରସାରରେ ସହାୟକ ହୋଇପାରେ ଏହି ଉଦାହରଣରୁ ସୁସ୍ପଷ୍ଟ ।


 

‘ଦି କନଭରସେସନ’ ମଞ୍ଚ ପରିଦର୍ଶନ ନିମନ୍ତେ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :

https://theconversation.com/global  

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୯ ନଭେମ୍ୱର ୨୦୨୧


ତଥ୍ୟ:



Schiffrin, Anya. .The Conversation thrives during the pandemic. www.crj.org. June 12, 2020


 

https://www.cjr.org/the_profile/the-conversation-covid-19.php

ସର୍ବପ୍ରାଚ଼ୀନ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ବନ୍ଦ

ବିଶ୍ୱର ଅନ୍ୟତମ ପ୍ରାଚୀନ ମୁଦ୍ରିତ ସମ୍ୱାଦପତ୍ର ‘ୱିନର ଜାଇତୁଙ୍ଗ’ର ମୁଦ୍ରିତ ସଂସ୍କରଣ ପ୍ରକାଶନ ବନ୍ଦ କରିଦେବା ଲାଗି ଏପ୍ରିଲ ୨୦୨୩ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ‘ୱିନର ଜାଇତୁଙ୍ଗ’ ଜର୍ମାନ ଭାଷାରେ ଆଷ୍ଟ୍ରିଆର ରାଜଧାନୀ ଭିଏନାରୁ ପ୍ରକାଶିତ । ଏହି ସମ୍ୱାଦପତ୍ରଟି ୧୭୦୩ ମସିହାରୁ ନିରବଚ୍ଛିନ୍ନଭାବେ ପ୍ରକାଶ ପାଇଆସୁଥିଲା । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ପ୍ରକାଶନ ଭାର ସରକାର ବହନ କରୁଥିଲେ । ସମ୍ୱାଦପତ୍ର ପ୍ରକାଶନରୁ ସରକାର ଓହରିଯିବାକୁ ନେଇ ଦୀର୍ଘ ବର୍ଷକର ବିତର୍କ ପରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ସମ୍ୱାଦପତ୍ର ପରିଚାଳନା ନିମନ୍ତେ ସରକାରୀ ଅନୁଦାନ ବନ୍ଦ ହୋଇଯିବ । ସମ୍ୱାଦପତ୍ରଟି ସ୍ୱାବଲମ୍ୱୀ ଅର୍ଥନୀତି ଅବଲମ୍ୱନରେ ମୁଦ୍ରିତ ସଂସ୍କରଣ ବନ୍ଦ କରି ଅନଲାଇନରେ ଉପଲବ୍ଧ ହେବ । ତା’ସାଙ୍ଗକୁ ବର୍ଷରେ ଅନ୍ତତଃପକ୍ଷେ ଦଶଗୋଟି ମୁଦ୍ରିତ ସଂସ୍କରଣ ପ୍ରକାଶନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ପ୍ରକାଶ ।

 

ମୁଦ୍ରିତ ସମ୍ୱାଦପତ୍ରଟି ଆତ୍ମପ୍ରକାଶ କାଳରେ ‘ୱିନରି ଡ଼ାଏରାୟମ’ ନାମିତ ହୋଇଥିଲା । ଏହା ସପ୍ତାହରେ ଦୁଇ ଥର ପ୍ରକାଶ ପାଉଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୧୭୮୦ରେ ‘ୱିନର ଜାଇତୁଙ୍ଗ’ ପୁନଃ ନାମକରଣ କରାଯାଇଥିଲା । ଜର୍ମାନ ଭାଷାରେ ‘ୱିନର ଜାଇତୁଙ୍ଗ’ର ଅର୍ଥ ଭିଏନା ସମାଚାର । ଆଷ୍ଟ୍ରିୟାର ସମ୍ରାଟ ଫ୍ରେଞ୍ଜ ଜୋଶଫ ପ୍ରଥମ ୧୮୫୭ରେ ସମ୍ୱାଦପତ୍ରଟିର ପ୍ରକାଶନ ଭାର ରାଷ୍ଟ୍ର ବହନ କରିବା ନିମନ୍ତେ ଆଦେଶ ଦେଇଥିଲେ । ତଦ୍ ଅନୁଯାୟୀ ଆଇନଗତ ବ୍ୟବସ୍ଥା ହୋଇଥିଲା । ବର୍ତ୍ତମାନ ନୂତନ ଆଇନ ପ୍ରଣୟନ କରାଯାଇ ସମ୍ୱାଦପତ୍ର ପ୍ରକାଶନରୁ ସରକାର ଓହରି ଯିବା ସ୍ଥିରୀକୃତ ହୋଇଛି । ଜୁଲାଇ ପହିଲା ୨୦୨୩ରୁ ସମ୍ୱାଦପତ୍ରଟିର କେବଳ ଅନଲାଇନ ସଂସ୍କରଣ ଉପଲବ୍ଧ ହେବ ।

 

‘ୱାର୍ଲଡ଼ ଏସୋସିଏସନ ଅଫ ନିଉଜ ପବ୍ଳିଶର୍ସ’ ୨୦୦୪ରେ ‘ୱିନର ଜାଇତୁଙ୍ଗ’କୁ ପୃଥିବୀର ଅନ୍ୟତମ ପ୍ରାଚ଼ୀନ ସମ୍ୱାଦପତ୍ର ମାନ୍ୟତା ଦେଇଥିଲେ । ୩୨୦ ବର୍ଷ ପ୍ରକାଶନ ଇତିହାସ ସମୃଦ୍ଧ ସମ୍ୱାଦପତ୍ରଟିରେ ୨୦୦ କର୍ମଚାରୀ କାର୍ଯ୍ୟରତ ଥିଲେ । ସେମାନଙ୍କ ମଧ୍ୟରେ ୪୦ ଜଣ ସାମ୍ୱାଦିକ ଅନ୍ତର୍ଭୁକ୍ତ । ଏହାର ପ୍ରସାର ୨୦ ହଜାର ଥିବା ବେଳେ ରବିବାସରୀୟ ସଂସ୍କରଣ ୪୦ ହଜାର ହିସାବ କରାଯାଉଥିଲା । ମୁଦ୍ରିତ ସମ୍ୱାଦପତ୍ର ସଂସ୍କରଣ ବନ୍ଦପରେ ସଂସ୍ଥାପକ୍ଷରୁ ଅନଲାଇନ ସଂସ୍କରଣ ପ୍ରକାଶନ ସାଙ୍ଗକୁ ସାମ୍ୱାଦିକତା ତାଲିମ ଓ ଗଣମାଧ୍ୟମ ଉତ୍ପାଦ ‘ମିଡ଼ିଆ ପ୍ରଡ଼କ୍ଟସ’ ପ୍ରସ୍ତୁତିରେ ମନୋନିବେଶ କରାଯିବା କୁହାଯାଉଛି ।

 

‘ୱିନର ଜାଇତୁଙ୍ଗ’ ମୁଖ୍ୟତଃ ସରକାରୀ ବିଜ୍ଞପ୍ତିମାନ ପ୍ରକାଶନ ନିମନ୍ତେ ଖ୍ୟାତି ଲାଭ କରିଆସିଥିଲା । ଏଥିରେ ପ୍ରକାଶିତ ତଥ୍ୟାବଳୀ ସରକାରୀ ସମର୍ଥିତ ବିଶ୍ୱାସ କରାଯାଉଥିଲା । ସରକାରଙ୍କ ପକ୍ଷରୁ ଯୁକ୍ତି ବଢା ଯାଉଛି ଯେ ୟୁରୋପୀୟ ୟୁନିୟନର ନିର୍ଦ୍ଦେଶ ଅନୁଯାୟୀ ସରକାରୀ ଘୋଷଣାନାମାଗୁଡ଼ିକ ଅନଲାଇନରେ ପ୍ରକାଶନ ନିମନ୍ତେ ଗୁରୁତ୍ୱ ଦିଆଯାଉଛି । ଏହି କାରଣରୁ ସରକାରଙ୍କ ପକ୍ଷରୁ ମୁଦ୍ରିତ ସମ୍ୱାଦପତ୍ରକୁ ଆର୍ଥିକ ଅନୁଦାନ ପ୍ରଦାନ ପରିବର୍ତ୍ତିତ ପରିବେଶରେ ଯୁକ୍ତିଯୁକ୍ତ ନୁହ । ଆଷ୍ଟ୍ରିଆ ସରକାରଙ୍କ ନିଷ୍ପତ୍ତିକୁ ସ୍ଥାନୀୟ ନାଗରିକ ସମାଜ ଓ ବିରୋଧି ଦଳ ପକ୍ଷରୁ ନିନ୍ଦା କରାଯାଇଥିଲା ।

 

ଗୃହୀତ ନୂତନ ଆଇନ ଅନୁଯାୟୀ ଆଷ୍ଟ୍ରିଆରେ ସରକାରୀ ବିଜ୍ଞପ୍ତି ସାଙ୍ଗକୁ କମ୍ପାନୀ ପରିଚାଳନା ସଂପର୍କୀତ ଘୋଷଣାନାମାମାନ ଅନଲାଇନ ମଞ୍ଚରେ ପ୍ରକାଶନକୁ ବାଧ୍ୟତାମୂଳକ କରାଯାଇଛି ଏଥିଲାଗି ‘ଇଲୋକ୍ଟ୍ରୋନିକ ଏନାଉନ୍ସମେଣ୍ଟ ଏଣ୍ଡ ଇନଫରମେସନ ପ୍ଲାଟଫର୍ମ ଅଫ ଦି ଫଡ଼ରେସନ’ ନାମକ ଡିଜିଟାଲ ମଞ୍ଚ ଜୁଲାଇ ପହିଲା ୨୦୨୩ରୁ କାର୍ଯ୍ୟ କରିବ । ଏଥିରେ ବିଜ୍ଞପ୍ତି ପ୍ରକାଶନ ନିମନ୍ତେ ବେସରକାରୀ ଉଦ୍ୟୋଗଗୁଡ଼ିକୁ ବିଜ୍ଞାପନ ଦେୟ ଦେବାକୁ ପଡ଼ିବ ନାହିଁ । ପୂର୍ବରୁ ‘ୱିନର ଜାଇତୁଙ୍ଗ’ର ମୁଦ୍ରିତ ସଂସ୍କରଣରେ ଆଇନ ଅନୁଯାୟୀ ଔପଚାରିକ ବିଜ୍ଞପ୍ତି ପ୍ରକାଶନ ନିମନ୍ତେ ବିଜ୍ଞାପନ ମୂଲ୍ୟ ଦେବାକୁ ପଡୁଥିଲା ।

 

ଆଷ୍ଟ୍ରିଆରେ ସରକାରୀ ଓ ବେସରକାରୀ ବିଜ୍ଞପ୍ତିଗୁଡ଼ିକ ବାଧ୍ୟତାମୂଳକ ଭାବେ ମୁଦ୍ରିତ ସମ୍ୱାଦପତ୍ରରେ ପ୍ରକାଶନ ଆଇନ ଏପ୍ରିଲ ୨୦୨୩ରେ ପ୍ରତ୍ୟାହାର କରିନେବା ଏବଂ ନବ ପ୍ରତିଷ୍ଠିତ ଅନଲାଇନ ମଞ୍ଚରେ ନିଃଶୁକ୍ଳ ପ୍ରକାଶନ ବ୍ୟବସ୍ଥା ଆନ୍ତର୍ଜାତିକସ୍ତରରେ ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ସମ୍ଭାବ୍ୟ ବିପତ୍ତିର କାରଣ ବିଚାର କରାଯାଇପାରେ । ବିଶ୍ୱବ୍ୟାପୀ ପ୍ରଶାସନିକ ବ୍ୟବସ୍ଥାର ଡ଼ିଜିଟାଲ ରୂପାନ୍ତରିକରଣ ଚାଲିଥିବା ଅବସରରେ ସରକାରୀ ଓ ବେସରକାରୀ ବିଜ୍ଞପ୍ତିଗୁଡ଼ିକ ମୁଦ୍ରିତ ସମ୍ୱାଦପତ୍ରରେ ବାଧ୍ୟତାମୂଳକ ପ୍ରକାଶନ ନିର୍ଦ୍ଦେଶକୁ କାୟମ ରଖିବା ପରସ୍ପର ବିରୋଧୀ । ମୁଖ୍ୟତଃ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ବିଜ୍ଞାପନ ପ୍ରକାଶନ ବାବଦରେ ବହୁ ଅର୍ଥ ମଧ୍ୟ ବ୍ୟୟ କରନ୍ତି । ପରିବ୍ୟାପ୍ତି, ସ୍ୱଚ୍ଛତା, ମିତବ୍ୟୟିତା, ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ଭଳି ଦିଗରୁ ବିଚାର କରାଗଲେ କ୍ରମଶଃ କାଗଜ ବ୍ୟବହାରରେ ମୁଦ୍ରଣ ବ୍ୟବସ୍ଥାକୁ ସାର୍ବଜନୀନ ପରିବର୍ତ୍ତେ ସୀମିତ ବ୍ୟବହାର ନୀତି ନିର୍ଦ୍ଧାରଣକୁ ପ୍ରାଥମିକତା ଦିଆଯିବା ସୁସ୍ପଷ୍ଟ । ୟୁରୋପୀୟ ୟୁନିୟନରେ ପ୍ରଣୀତ ଧାରା କ୍ରମଶଃ ଅନ୍ୟାନ୍ୟ ରାଷ୍ଟ୍ରକୁ ସଂପ୍ରସାରିତ ହେବା ସମୀଚୀନ ।

 

ମହାମାରୀ-ପର ଅବସ୍ଥାରେ ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଗଣମାଧ୍ୟମ, ମୁଖ୍ୟତଃ ପାରମ୍ପରିକ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଶିଳ୍ପ ସଂକଟ ମଧ୍ୟ ଦେଇ ଗତି କରୁଛି । ବିଭିନ୍ନ ସ୍ତରରେ ବିଭିନ୍ନ ଉପାୟରେ ପରିସ୍ଥିତିକୁ ସଂଭାଳିବା ନିମନ୍ତେ ଉଦ୍ୟମ କରାଯାଉଛି । ଏହି ଅବସରରେ ପ୍ରଯୁକ୍ତି କୌଶଳ କ୍ଷେତ୍ରରେ ବୃହତ ଭାଷା ଶୃଙ୍ଖଳ ‘ଲାର୍ଜ ଲାଙ୍ଗୁଏଜ ମଡ଼େଲ’ ଭଳି କୃତ୍ରିମ ବୁଦ୍ଧିମତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ସମୃଦ୍ଧ ଉଦ୍ଭାବନ ଏବଂ ସାର୍ବଜନୀନ ବ୍ୟବହାର ସୁବିଧା ସୁଯୋଗ ଜନସାଧାରଣଙ୍କ ଗଣମାଧ୍ୟମ ଆହରଣ ଆଚ଼ରଣକୁ ଆମୂଳଚୁଳ ପରିବର୍ତ୍ତନ କରିଦେବା ଆଶଙ୍କା ଘନୀଭୂତ । ଏହି ପରିବେଶରେ ଗଣମାଧ୍ୟମର ଗତିପ୍ରକୃତି, ମୁଖ୍ୟତଃ ମୁଦ୍ରିତ ସମ୍ୱାଦପତ୍ରର ଭବିଷ୍ୟତ ଅସ୍ପଷ୍ଟ ।

 

ଭାରତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ବିଜ୍ଞାପନ ବ୍ୟୟ ୨୦୧୭ରୁ କ୍ରମାଗତ ହ୍ରାସ ପାଉଥିବା ବିବରଣୀ ୨୦୨୩ ମେ’ ପ୍ରଥମାର୍ଦ୍ଧରେ ଡ଼ିଜିଟାଲ ସମ୍ୱାଦ ମଞ୍ଚ ‘ଦି ୱାଇର’ରେ ପ୍ରକାଶ ପାଇଥିଲା । ‘ଦି ମର୍ଣ୍ଣିଂ କଣ୍ଟେକ୍ସଟ’ ନାମକ ଅର୍ଥନୀତିକ ବିଶ୍ଳେଷଣ ମଞ୍ଚ ପକ୍ଷରୁ ‘ହିନ୍ଦୁ ବିଜିନେସ ଲାଇନ’ରେ ପ୍ରକାଶିତ ତଥ୍ୟ ଉଦ୍ଧାର କରି ଦର୍ଶାଯାଇଛି ଯେ ୨୦୧୮ରେ ୧୪ ପ୍ରତିଶତ, ୨୦୧୯ରେ ୩୫ ପ୍ରତିଶତ, ୨୦୨୦ରେ ୪୦ ପ୍ରତିଶତ ଏବଂ ୨୦୨୧ରେ ୨୩ ପ୍ରତିଶତ ସରକାରୀ ବିଜ୍ଞାପନ ବ୍ୟୟ ପାରମ୍ପରିକ ଗଣମାଧ୍ୟମ ମଞ୍ଚରେ କମିଛି । ଅପରପକ୍ଷେ କେନ୍ଦ୍ର ସରକାରଙ୍କ ଅନଲାଇନ ବିଜ୍ଞାପନ ବ୍ୟୟ ବଢ଼ିଛି । ଏହି ପରିସଂଖ୍ୟାନ ଉତ୍ତର ପ୍ରଦେଶ ସରକାରଙ୍କ କ୍ଷେତ୍ରରେ ପ୍ରତିଫଳିତ ହୋଇଥିବା ସ୍ଥଳେ ଅନ୍ୟ ରାଜ୍ୟଗୁଡ଼ିକରେ ବିଶେଷ ପ୍ରଭାବ ପକାଇପାରି ନାହିଁ ।

 

‘ଦି ୱାଇର’ରେ ଅନ୍ୟ ଏକ ରିପୋର୍ଟରେ ସୂଚ଼ିତ କରାଯାଇଛି ଯେ ତଥ୍ୟ ଜାଣିବାର ଅଧିକାର ଦରଖାସ୍ତରେ କର୍ଣ୍ଣାଟକରେ ୨୦୨୩ ବିଧାନସଭା ନିର୍ବାଚ଼ନ ପୂର୍ବରୁ ୨୦୨୨ ଡ଼ିସେମ୍ୱର ପହିଲାରୁ ୨୦୨୩ ମାର୍ଚ୍ଚ ୨୯ ତାରିଖ ମଧ୍ୟରେ ସରକାରୀ ସ୍ତରରେ ମୁଦ୍ରିତ ସମ୍ୱାଦପତ୍ରକୁ ୨୭ କୋଟି ୪୬ ଲକ୍ଷ ଏବଂ ଇଲକ୍ଟ୍ରୋନିକ ମିଡ଼ିଆକୁ ୧୬ କୋଟି ୯୬ ଲକ୍ଷ ଟଙ୍କାର ବିଜ୍ଞାପନ ପ୍ରଦାନ କରାଯାଇଥିଲା । ଏହି ହିସାବ ରାଜ୍ୟ ସରକାରଙ୍କ ସୂଚ଼ନା ଓ ଲୋକସଂପର୍କ ବିଭାଗ ସୂତ୍ରରୁ ଉପଲବ୍ଧ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଶାସକ ଦଳ ନିର୍ବାଚନରେ ୨୨୪ ଗୋଟି ଆସନ ମଧ୍ୟରୁ ମାତ୍ର ୬୬ ଗୋଟି ଆସନରେ ନିର୍ବାଚିତ ହୋଇ ପରାଜୟ ସ୍ୱୀକାର କରିଥିଲା । ଏଥିରୁ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନର ରାଜନୀତିକ ପ୍ରଭାବ ପ୍ରଶ୍ନବାଚୀ ସୃଷ୍ଟି କରେ ।

 

ଆନ୍ତର୍ଜାତିକସ୍ତରରେ ସର୍ବ ପ୍ରାଚୀନ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ବନ୍ଦ, ଅନଲାଇନ ପରିବେଶକୁ ଅପସାରଣ ଓ ମୁଦ୍ରିତ ସମ୍ୱାଦପତ୍ରରେ ବିଜ୍ଞାପନ ପ୍ରକାଶନ ଔପଚାରିକତାର ଅନ୍ତ ଉଦାହରଣ ପାରମ୍ପରିକ ସମ୍ୱାଦ ମଞ୍ଚ ଆଙ୍ଗିକ ପରିବର୍ତ୍ତନର ଆଭାସ ଦେଇଥାଏ ।

 

ୟୁଟ୍ୟୁବ ଭିଡ଼ିଓ :

 

Austria’s Wiener Zeitung 320 year old newspaper ending daily print run – Zee News English

 

https://youtu.be/nwlJW05jyqA



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁନ ୨୦୨


ତଥ୍ୟ:



Austria’s Wiener Zeitung, one of the world’s oldest newspapers, to end daily print run – The Local, Apr 27, 2023

 

https://www.thelocal.at/20230427/austrias-wiener-zeitung-one-of-worlds-oldest-newspapers-to-end-daily-print-run

 

 

Government Ads Have shifted Away from Newspapers, Broadcasters : Report

 

https://m.thewire.in/article/media/government-ads-have-shifted-away-from-newspapers-broadcasters-report

 

BJP’s Bomai Govt spent Rs 44.2 crore of Taxpayer money on Ad Before Poll, Reveals RTI, The Wire. May 29, 2023

 

https://m.thewire.in/article/government/bjps-bommai-govt-spent-rs-44-2-crore-of-taxpayer-money-on-ads-before-polls-reveals-rti 

ମାର୍କିନ ମୁଦ୍ରିତ ସମ୍ୱାଦପତ୍ରର ଅଧୋଗତି

ଯୁକ୍ତରାଷ୍ଟ୍ର ଆମେରିକାରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପରେ କ୍ରମାଗତ ଅବନତି ସେଠାକାର ଗଣମାଧ୍ୟମ ପରିବେଶରେ ନୂତନ ସମୀକରଣ ସୃଷ୍ଟି କରିଥିବା ସୁସ୍ପଷ୍ଟ । ଅଷ୍ଟାଦଶ ଶତାଦ୍ଦୀ ଆରମ୍ଭରୁ ବିଜ୍ଞାପନ-ଆଶ୍ରିତ ମଡ଼େଲ ଦୁଇ ଶହ ବର୍ଷଧରି ସମ୍ୱାଦପତ୍ର ଶିଳ୍ପକୁ ପରିପୁଷ୍ଟ କରିଆସିଥିଲା । ଏକବିଂଶ ଶତାଦ୍ଦୀରେ ବ୍ୟାବସାୟିକ ବିଜ୍ଞାପନ ବ୍ୟୟ ଡ଼ିଜିଟାଲ ମଞ୍ଚକୁ ସ୍ଥାନାନ୍ତରୀକରଣ ପ୍ରଥମ ଦୁଇ ଦଶକରେ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ପରିଦୃଷ୍ଟ ବିଘଟନର ମୁଖ୍ୟ କାରଣ ବିଚାର କରାଯାଏ । ଆମେରିକାରେ ସୃଷ୍ଟ ସମସ୍ୟା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସମ୍ୱାଦ ଶିଳ୍ପରେ ସମଭାବେ ପ୍ରତିବିମ୍ୱିତ ହେବା ଭୟନଥିଲେ ସୁଦ୍ଧା ସମସାମୟିକ ଗଣମାଧ୍ୟମ ପ୍ରବାହକୁ ପ୍ରଭାବିତ କରିବା ବିଶ୍ୱାସଯୋଗ୍ୟ ମନେହୁଏ ।

 

ବାଣିଜ୍ୟ ବ୍ୟବସାୟ ଗବେଷଣା ଓ ପରାମର୍ଶ ପ୍ରତିଷ୍ଠାନ ‘ପ୍ରାଇସ ୱାଟରହାଉସ କୂପରର୍ସ’ ପକ୍ଷରୁ ଫ୍ରାନ୍ସର କାନସଠାରେ ୨୦୨୨ ଜୁନ ମାସରେ ଅନୁଷ୍ଠିତ ବିଜ୍ଞାପନ ମହାକୁମ୍ଭ ‘ଲାୟନସ ଫେଷ୍ଟିଭାଲ’ ଅବସରରେ ଆକଳନ କରାଯାଇଥିଲା ଯେ ୨୦୨୬ ସୁଦ୍ଧା ଆମେରିକାରେ ଡ଼ିଜିଟାଲ ସମ୍ୱାଦପତ୍ର ବିଜ୍ଞାପନ ଆୟ ମୁଦ୍ରିତ ସମ୍ୱାଦପତ୍ର ବିଜ୍ଞାପନ ଆୟକୁ ଟପିଯିବ । ବାସ୍ତବକ୍ଷେତ୍ରରେ ୨୦୨୨ ସୁଦ୍ଧା ଆମେରିକାର ସମ୍ୱାଦ ଶିଳ୍ପର ଆୟରେ ମୁଦ୍ରିତ ସମ୍ୱାଦପତ୍ର ବିଜ୍ଞାପନ ପ୍ରମୁଖ ସ୍ଥାନ ଅଧିକାର କରୁଥିବା ସ୍ଥଳେ ମାତ୍ର ଚାରି ବର୍ଷ ମଧ୍ୟରେ ପରିବର୍ତ୍ତନର ହିସାବ ବିସ୍ମୟ ପ୍ରକାଶ କରିଥାଏ ।

 

‘ପ୍ରାଇସ ୱାଟରହାଉସ କୂପରର୍ସ’ଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ ତୁଳନାତ୍ମକ ବିଚାରରେ ମୁଦ୍ରିତ ସମ୍ୱାଦପତ୍ରର ବିଜ୍ଞାପନ ଆୟ କମିଗଲେ ସୁଦ୍ଧା ଡ଼ିଜିଟାଲ ମଞ୍ଚରେ ଆୟ ସାମାନ୍ୟ ମାତ୍ର ବୃଦ୍ଧି ପ୍ରାପ୍ତ ହେବ । ଅର୍ଥାତ, ସାମଗ୍ରିକଭାବେ ସମ୍ୱାଦ ମଞ୍ଚର ବିଜ୍ଞାପନ ଆୟ ହ୍ରାସ ପାଇବ । ‘ଆକ୍ସିସ ମିଡ଼ିଆ ଟ୍ରେଣ୍ଡ’ ନିଉଜଲେଟରରେ ସାରା ଫିସର ଜୁନ ୨୦୨୨ରେ ଏହି ଆକଳନ ଚର୍ଚ୍ଚା କରିବାପରେ ହାର୍ଭାଡ଼ ବିଶ୍ୱବିଦ୍ୟାଳୟର ‘ନେଇମେନ୍ସ ଲାବ’ ପକ୍ଷରୁ ୨୦୦୦ରୁ ୨୦୨୨ ବାର ବର୍ଷ ମଧ୍ୟରେ ଅଧିକ ପ୍ରସାରିତ ୨୦ ଗୋଟି ମୁଦ୍ରିତ ସମ୍ୱାଦପତ୍ରର ପ୍ରସାର ସଂଖ୍ୟା ହ୍ରାସର ଏକ ତାଲିକା ପ୍ରକାଶ କରାଯାଇଥିଲା ।

 

ମାର୍କିନ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ସର୍ବାଧିକ ପ୍ରସାରିତ ‘ୟୁଏସଏ ଟୁଡ଼େ’ ୯୧ ପ୍ରତିଶତ ପ୍ରସାର ସଂଖ୍ୟା ହ୍ରାସ ସମ୍ମୁଖୀନ ହୋଇଥିବା ସ୍ଥଳେ ପ୍ରସାରସଂଖ୍ୟା କ୍ରମାନ୍ୱୟରେ ‘ଦି ୱାଲଷ୍ଟ୍ରୀଟ ଜର୍ଣ୍ଣାଲ’ ୬୦ ପ୍ରତିଶତ, ‘ଦି ନ୍ୟୂୟର୍କ ଟାଇମ୍ସ’ ୬୯ ପ୍ରତିଶତ, ‘ଲସ ଏଞ୍ଜେଲସ ଟାଇମ୍ସ’ ୮୬ ପ୍ରତିଶତ, ‘ଦି ୱାଶିଂଟନ ପୋଷ୍ଟ’ ୭୯ ପ୍ରତିଶତ, ‘ଦି ନ୍ୟୂୟର୍କ ଡ଼େଲି ନ୍ୟୂଜ’ ୯୨ ପ୍ରତିଶତ, ‘ଚିକାଗୋ ଟ୍ରିବ୍ୟୁନ’ ୮୨ ପ୍ରତିଶତ, ଲଙ୍ଗ-ଆଇଲ୍ୟାଣ୍ଡର ‘ନିଉଜଡ଼େ’ ୮୩ ପ୍ରତିଶତ, ‘ହଷ୍ଟନ କ୍ରନିକଲ’ ୮୮ ପ୍ରତିଶତ ଏବଂ ‘ଦି ଡ଼େଲି ମର୍ଣ୍ଣିଂ ନିଉଜ’ ୮୭ ପ୍ରତିଶତ ଯାଏଁ ପ୍ରସାର ହରାଇଥିଲେ ।

 

ମୁଦ୍ରିତ ସମ୍ୱାଦପତ୍ର ପ୍ରସାର ସଂଖ୍ୟା ହାନୀର ବିଭିନ୍ନ କାରଣ ଚ଼ିହ୍ନଟ କରାଯାଇଥିଲା । ଭିନ୍ନ ଭିନ୍ନ ସମ୍ୱାଦପତ୍ର ଭିନ୍ନ ଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଉଦାହରଣରେ ‘ୟୁଏସଏ ଟୁଡ଼େ’ ସମ୍ୱାଦପତ୍ରଟି ବିଭିନ୍ନ ହୋଟେଲ ଶୃଙ୍ଖଳ ‘ଚ଼େନ’ରେ ପ୍ରତି କଠୋରୀରେ ବିତରିତ ହେବା ପ୍ରଥା ପ୍ରଚଳନ ରହିଥିଲା । ମହାମାରୀକାଳରେ ହୋଟେଲ ବ୍ୟବସାୟ ଦୀର୍ଘଦିନ ଧରି ବନ୍ଦ ରହିବା ଓ ମାନ୍ଦାଅବସ୍ଥା ଲାଗି ରହିବାପରେ ସମ୍ୱାଦପତ୍ରଟିର ପ୍ରସାର ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା । ଅନ୍ୟ ପକ୍ଷେ ପର୍ଯ୍ୟଟକଙ୍କ ହାତରେ ସବୁବେଳେ ସ୍ମାର୍ଟଫୋନ ରହିବା ଏବଂ ଆବଶ୍ୟକତା ଅନୁଯାୟୀ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣର ସୁବିଧା ସୁଯୋଗ ମିଳୁଥିବା ହେତୁ ହୋଟେଲ କଠୋରୀରେ ମୁଦ୍ରିତ ସମ୍ୱାଦପତ୍ରର ଆବଶ୍ୟକତା ଅପସରି ଯାଇଥିଲା ।

 

‘ଦି ନ୍ୟୂୟର୍କ ଟାଇମ୍ସ’, ‘ଦି ୱାଲ ଷ୍ଟ୍ରୀଟ ଜର୍ଣ୍ଣାଲ’ ଓ ‘ଦି ୱାଶିଂଟନ ପୋଷ୍ଟ’ ଭଳି ଖ୍ୟାତନାମା ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ମୁଦ୍ରିତ ସାଙ୍ଗକୁ ଡ଼ିଜିଟାଲ ସଂସ୍କରଣରେ ମଧ୍ୟ ନିବେଶ କରାଯାଇଥିବା ତଥା ଲୋକପ୍ରିୟତା ହାସଲ କରିଥିବା ଯୋଗୁଁ ମୁଦ୍ରିତ ସମ୍ୱାଦପତ୍ରର ପ୍ରସାର ସଂଖ୍ୟା ବୃଦ୍ଧି ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନରୁ ଦୂରେଇ ଯାଉଥିବା ମନେ ହୁଏ । ଔପଚାରିକ ରୂପରେ ମୁଦ୍ରିତ ସଂସ୍କରଣ ପ୍ରକାଶ କରି ଡ଼ିଜିଟାଲ ସଂସ୍କରଣର ଗୁଣବତ୍ତା ବିକାଶ ନିମନ୍ତେ ପଦକ୍ଷେପମାନ ଗ୍ରହଣ ଦେଖିବାକୁ ମିଳେ । ମୋଟାମୋଟି ଭାବେ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକାରେ ମୁଦ୍ରିତ ସମ୍ୱାଦପତ୍ର ଡ଼ିଜିଟାଲ ରୂପକୁ ଉନ୍ନୀତ ହେବା ନିମନ୍ତେ ପରିବେଶ ସୃଷ୍ଟି ହୋଇଥିବା ସୁସ୍ପଷ୍ଟ ।

 

‘ନର୍ଥ-ୱେଷ୍ଟର୍ଣ୍ଣ ୟୁନିଭରସିଟି’ର ‘ମେଡ଼ିଲ ସ୍କୁଲ ଅଫ ଜର୍ଣ୍ଣାଲିଜମ, ମିଡ଼ିଆ ଏଣ୍ଡ ଇଣ୍ଟିଗ୍ରେଟଡ଼ ମାର୍କେଟିଂ କମ୍ୟୁନିକେସନ’ ପକ୍ଷରୁ ଜୁନ ୨୦୨୨ରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୦୫ରେ ଆମେରିକାରେ ୮,୮୯୧ ଗୋଟି ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶିତ ହେଉଥିବା ସ୍ଥଳେ ୨୦୨୨ ମେ’ ମାସ ସୁଦ୍ଧା ୬,୩୭୭କୁ ହ୍ରାସ ପାଇଛି । କେବଳ ମହାମାରୀକାଳରେ ୨୦୧୯ ଶେଷ ଭାଗରୁ ୨୦୨୨ ପ୍ରଥମ ଭାଗ ମଧ୍ୟରେ ୩୬୦ ଗୋଟି ମୁଦ୍ରିତ ସମ୍ୱାଦପତ୍ର ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି । ହିସାବ କରାଯାଇଛି ଯେ ୨୦୨୨ରେ ପ୍ରତି ସପ୍ତାହରେ ଦୁଇଗୋଟି ସମ୍ୱାଦପତ୍ର ମୃତ୍ୟୁମୁଖରେ ପଡୁଛନ୍ତି ।

 

ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହେତୁ ସେଥିରେ କର୍ମରତ ସାମ୍ୱାଦିକମାନେ ନିଯୁକ୍ତି ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ବୃତ୍ତି ପରିତ୍ୟାଗ କରୁଥିବା ପ୍ରକାଶ । କାରଣ ବହୁଳ ମାତ୍ରାରେ ସମ୍ୱାଦପତ୍ର ଅଭାବରେ ମନମୁତାବକ ନିଯୁକ୍ତି ପାଇବା କଷ୍ଟକର । କ୍ରମବିକଶିତ ଡ଼ିଜିଟାଲ ମଞ୍ଚ ଏବଂ ଲୋକସଂପର୍କରେ ନିଯୁକ୍ତି ସୃଷ୍ଟି ହେଉଥିଲେ ହେଁ ସେଭଳି କାର୍ଯ୍ୟକ୍ଷେତ୍ରରେ ନିଜକୁ ଖାପଖୁଆଇବା ଅନେକଙ୍କ ପକ୍ଷେ ସଂଭବପର ନହୋଇପାରେ । ପରିସଂଖ୍ୟାନରୁ ପ୍ରକାଶ ଯେ ୨୦୦୬ରେ ୭୫ ହଜାର ସାମ୍ୱାଦିକ ମୁଦ୍ରିତ ସମ୍ୱାଦପତ୍ରରେ ନିଯୁକ୍ତ ଥିବା ବେଳେ ୨୦୨୨ରେ ତାହା ୩୧ ହଜାରକୁ କମି ଆସିଥିଲା ।

 

ଅନ୍ୟାନ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ବହୁଳ ପ୍ରକାଶିତ ଶହେ ମୁଦ୍ରିତ ସମ୍ୱାଦପତ୍ର ମଧ୍ୟରୁ ୪୦ ଗୋଟି ଡ଼ିଜିଟାଲ ସଂସ୍କରଣ ପ୍ରତି ଗୁରୁତ୍ୱ ପ୍ରଦାନ କରୁଥିବା ପରିଲକ୍ଷିତ । ସେମାନେ ସପ୍ତାହରେ ଅନ୍ତତଃ ଥରେ ମୁଦ୍ରିତ ସଂସ୍କରଣ ପରିବର୍ତ୍ତେ ସଂପୂର୍ଣ୍ଣ ଡ଼ିଜିଟାଲ ସଂସ୍କରଣ ପ୍ରକାଶନ ଧାରା ଆରମ୍ଭ କରିସାରିଛନ୍ତି । ସେହିପରି ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଏକକ ପ୍ରକାଶନ ବଦଳରେ ଶୃଙ୍ଖଳ ପ୍ରକାଶନ ‘ଚ଼େନ ପବ୍ଳିକେସନ’ ଦିଗରେ ଗତି କରୁଛନ୍ତି । ପ୍ରାୟ ଦୁଇ ତୃତୀୟାଂଶ ମୁଦ୍ରିତ ସାପ୍ତାହିକ ସମ୍ୱାଦପତ୍ର ଚ଼େନ ପବ୍ଳିକେସନ ଅନ୍ତର୍ଭୁକ୍ତ ।

 

ଅପରପକ୍ଷେ ଡ଼ିଜିଟାଲ ସମ୍ୱାଦ ମଞ୍ଚର ପ୍ରସାର ପାରମ୍ପରିକ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନର ସ୍ଥାନ ପୂରଣ କରିନପାରୁଥିବା ପ୍ରମାଣିତ । ରିପୋର୍ଟରେ କୁହାଯାଇଛି ଯେଉଁ ଅଞ୍ଚଳଗୁଡ଼ିକରେ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହୋଇଯାଇଛି ସେଠାକାର ଜନସଂଖ୍ୟା ଅପେକ୍ଷାକୃତ ଗରିବ ଓ ଅଳ୍ପ ଶିକ୍ଷିତ ବୋଲି ଜଣାଯାଏ । ଆମେରିକାରେ ପ୍ରାୟ ସାତ କୋଟି ନାଗରିକ ସେଭଳି ସମ୍ୱାଦ ମରୁଭୂମି ‘ନିଉଜ ଡ଼େଜାର୍ଟ’ରେ ବସବାସ କରନ୍ତି । ମାର୍କିନ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ଶିଳ୍ପର ଅଧୋଗତି ସମକାଳରେ ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମ ପରିବେଶକୁ ପୂର୍ଣ୍ଣ ପ୍ରଭାବିତ ନକରିପାରେ । କିନ୍ତୁ ସେଠାକାର ସ୍ଥିତାବସ୍ଥା ଯେ ଅନ୍ୟତ୍ର ପ୍ରକାଶିତ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପକୁ ସଜାଡ଼ିବା ନିମନ୍ତେ ଏକ ଚ଼େତାବନୀ ଏଥିରେ ସନ୍ଦେହ ନାହିଁ ।   

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁଲାଇ ୨୦୨

ତଥ୍ୟ:



Benton, Joshua, For print newspapers, one Florida retirement community is a better market than Atlanta, St. Louis or Portland. NiemanLab. June 28, 2022.

 

https://www.niemanlab.org/2022/06/for-print-newspapers-one-florida-retirement-community-is-a-better-market-than-atlanta-st-louis-or-portland/

 

Associated Press. US newspaper continuing to die at rate of 2 every week. Business Standard (Bhubaneswar Edition). July 1, 2022.

 

https://www.business-standard.com/article/international/us-newspapers-continuing-to-die-at-rate-of-two-every-week-report-122070100084_1.html 

ୟୁରୋପୀୟ ‘ଡ଼ିଜିଟାଲ ନେଟିଭ ମିଡ଼ିଆ’ 

କରୋନା-ଭୂତାଣୁ-ଜନିତ ମହାମାରୀ ପ୍ରଭାବରେ ବିଶ୍ୱବ୍ୟାପୀ ଜନପଦ ବନ୍ଦରେ ପାରମ୍ପରିକ ସମ୍ୱାଦ ମଞ୍ଚଗୁଡିକର ଅସ୍ତିତ୍ୱ ସଂକାଟାପନ୍ନ ହୋଇପଡ଼ିଥିଲା । ମହାମାରୀ-ପର ଅବସ୍ଥାରେ ଅର୍ଥନୀତିକ ଅସ୍ଥିରତା ଓ ୟୁକ୍ରେନ ଯୁଦ୍ଧ ସମେତ ବିସମ୍ୱାଦ, ଗୁଜବ, ଉଦ୍ଦେଶ୍ୟ-ପ୍ରଣୋଦିତ ପ୍ରଚାର ୟୁରୋପୀୟ ଗଣମାଧ୍ୟମକୁ ଭରାକ୍ରାନ୍ତ ପରିବେଶରେ ପହୁଞ୍ଚାଇଥିଲା । ମୂଳସ୍ରୋତ ସମ୍ୱାଦ ମଞ୍ଚଗୁଡ଼ିକ କର୍ମଚାରୀ ଛଟେଇ ଓ ପ୍ରକାଶନ ବନ୍ଦ ଭଳି ବିଘଟନର ଶୀକାର ହୋଇଥିଲେ । ଏହି ଅବସରରେ ବିଭିନ୍ନ କାରଣରୁ ନିଯୁକ୍ତିରୁ ଅବ୍ୟାହତି ନେଉଥିବା ଅଭିଜ୍ଞ ସାମ୍ୱାଦିକମାନଙ୍କ ଉଦ୍ୟମରେ ଡ଼ିଜିଟାଲ ମାଧ୍ୟମରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ବହୁ ସଂଖ୍ୟକ ନୂତନ ସମ୍ୱାଦ ମଞ୍ଚ ଆତ୍ମପ୍ରକାଶ କରିଥିଲା । ଏଗୁଡ଼ିକ ମୌଳିକ ଭାବେ ଡ଼ିଜିଟାଲ ଏବଂ ‘ଡ଼ିଜିଟାଲ ନେଟିଭ ମିଡ଼ିଆ’ ନାମିତ ।

 

ପ୍ରଯୁକ୍ତି ବିଦ୍ୟାରେ ପ୍ରଗତି କାରଣରୁ ପାରମ୍ପରିକ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଡ଼ିଜିଟାଲ ମଞ୍ଚରେ ଅବତୀର୍ଣ୍ଣ ହେବା ଧାରା ବଳବତ୍ତର ରହିଥିବା ସ୍ଥଳେ ‘ଡିଜିଟାଲ ନେଟିଭ ମିଡ଼ିଆ’ ସ୍ୱଭାବତଃ ଏକ ଭିନ୍ନ ପ୍ରବାହର ବାର୍ତ୍ତାବହ । ‘ଡ଼ିଜିଟାଲ ନେଟିଭ ମିଡ଼ିଆ’ କେବଳ ଅନଲାଇନ ପ୍ରକାଶନ-ଆଶ୍ରିତ । ଏଗୁଡ଼ିକ ସ୍ୱାଧୀନ ସମ୍ୱାଦ ମଞ୍ଚ ରୂପେ ଆତ୍ମପ୍ରକାଶ କରି ପ୍ରକାଶନ ଜାରି ରଖନ୍ତି । ମୁଦ୍ରିତ ସମ୍ୱାଦପତ୍ର ଓ ଡ଼ିଜିଟାଲ ନେଟିଭ ସମ୍ୱାଦ ମଞ୍ଚ ମଧ୍ୟରେ ଅନେକ ପ୍ରଭେଦ । ପ୍ରଥମତଃ, ମୁଦ୍ରିତ ସମ୍ୱାଦପତ୍ର ଅଧିକ ଆର୍ଥିକ ନିବେଶ, କୋଠାବାଡ଼ି, କଳ-କବଜା, କର୍ମଚାରୀ, ପ୍ରସାର ବ୍ୟବସ୍ଥା ଆବଶ୍ୟକ କରୁଥିବା ସ୍ଥଳେ ଡ଼ିଜିଟାଲ ସମ୍ୱାଦ ସାମାନ୍ୟ ନିବେଶରେ ପରିଚାଳିତ ।

 

ଦ୍ୱିତୀୟତଃ, ମୁଦ୍ରିତ ସମ୍ୱାଦପତ୍ର ଆର୍ଥିକ ନିବେଶ-ଆଶ୍ରିତ ଆଙ୍ଗିକରେ ବିଭିନ୍ନ କାରଣରୁ ସମ୍ୱାଦ ଓ ଅଭିମତ ପରିବେଷଣରେ ନିରପେକ୍ଷତା ପାଳନରେ ସମର୍ଥ ହୋଇ ନପାରୁଥିବା ସ୍ଥଳେ ଡ଼ିଜିଟାଲ ନେଟିଭ ସମ୍ୱାଦ ମଞ୍ଚଗୁଡ଼ିକ ଅଧିକାଂଶ କ୍ଷେତ୍ରରେ ଜଞ୍ଜାଳମୁକ୍ତ କାରଣରୁ ସ୍ୱାଧୀନ । ୟୁରୋପୀୟ ଉଦାହରଣରେ ଅଭିଜ୍ଞ ଓ ସୃଜନଶୀଳ ସାମ୍ୱାଦିକଙ୍କ ଦ୍ୱାରା ପରିଚାଳିତ ଡ଼ିଜିଟାଲ ନେଟିଭ ସମ୍ୱାଦମଞ୍ଚ ଗୁଡ଼ିକ ଗୁଣାତ୍ମକ ସମ୍ୱାଦ ପରିବେଷଣରେ ଅଗ୍ରଣୀ । ତୃତୀୟତଃ, ଡିଜିଟାଲ ନେଟିଭ ସମ୍ୱାଦ ମଞ୍ଚଗୁଡ଼ିକ ମୁଖ୍ୟତଃ ସ୍ଥାନୀୟ ସମ୍ୱାଦ କିମ୍ୱା ବିଷୟ ସ୍ୱାତନ୍ତ୍ର୍ୟ ଆଭିମୁଖ୍ୟ ହେତୁ ସଂପୃକ୍ତ କ୍ଷେତ୍ରରେ ଦୃଷ୍ଟିଆକର୍ଷଣକାରୀ ପ୍ରଭାବ ବିସ୍ତାରରେ ସମର୍ଥ ।

 

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ପାରମ୍ପରିକ ସମ୍ୱାଦମଞ୍ଚ ବ୍ୟାବସାୟିକ ଦିଗରେ କ୍ଷତି ସମ୍ମୁଖୀନ ହେଉଥିବା ସ୍ଥଳେ ୟୁରୋପୀୟ ଡ଼ିଜିଟାଲ ନେଟିଭ ସମ୍ୱାଦ ମଞ୍ଚ ବିକଳ୍ପ ସମ୍ୱାଦ ସରବରାହ ବ୍ୟବସ୍ଥାର ଆଶା ସଂଚାର କରେ । ୟୁରୋପୀୟ ଉଦାହରଣ ବିଶ୍ୱର ବିଭିନ୍ନ ଭୌଗଳିକ ପରିସୀମାରେ ମୂଳସ୍ରୋତ ସମ୍ୱାଦ ମଞ୍ଚରେ ନିଯୁକ୍ତିରୁ ଅବ୍ୟାହତି ନେଉଥିବା ସାମ୍ୱାଦିକଙ୍କ କର୍ମସଂସ୍ଥାନ ନିମନ୍ତେ ଆଦର୍ଶ ସୃଷ୍ଟି କରିଛି । ପ୍ରଯୁକ୍ତି କୌଶଳ ବ୍ୟାପ୍ତି ପରେ ୱେବସାଇଟ ପରିଚାଳନା ସହଜପ୍ରଦ ହୋଇସାରିଥିବା ଏବଂ ମାତ୍ର ଜଣେ ସାମ୍ୱାଦିକ ଏକାକୀ ସ୍ଥାନୀୟ ସ୍ତରରେ ସମ୍ୱାଦ ରଚନା, ସମ୍ପାଦନା ଓ ପ୍ରକାଶନ ଦାୟିତ୍ୱ ସଂଭାଳିବା ସଂଭବ ଥିବା ହେତୁ ସ୍ୱାଧୀନ ସାମ୍ୱାଦିକତାର ବିକାଶ ନିମନ୍ତେ ପଥ ଉନ୍ମୁକ୍ତ କରିଛି ।

 

ଭାରତରେ ୬୦ ପ୍ରତିଶତ ଉପଭୋକ୍ତା ଆଞ୍ଚଳିକ ଭାଷାରେ ଇଣ୍ଟରନେଟ ବ୍ୟବହାର କରୁଥିବା ଏବଂ ମୁଦ୍ରିତ ସମ୍ୱାଦପତ୍ର ପାଠକଙ୍କ ମଧ୍ୟରେ ଅନ୍ତତଃପକ୍ଷେ ୮୦ ପ୍ରତିଶତ ଅନଲାଇନରେ ଉପସ୍ଥିତ ରହୁଥିବା ହେତୁ ଡ଼ିଜିଟାଲ ନେଟିଭ ସମ୍ୱାଦ ମଞ୍ଚର ବିକାଶ ପ୍ରତିଶୃତି ବହନ କରେ । ଏଦିଗରେ ସାମାନ୍ୟ ଅଧ୍ୟୟନ ଓ ତାଲିମ ସ୍ୱାଧୀନ ସାମ୍ୱାଦିକତା ନିମନ୍ତେ ଦକ୍ଷତା ଯୋଗାଇ ପାରିବ । ମୂଳସ୍ରୋତର ସାମ୍ୱାଦିକତା କ୍ରମଶଃ ପ୍ରଚାରଧର୍ମୀ ଲୋକ-ସଂପର୍କରେ ପରିବର୍ତ୍ତିତ ହେଉଥିବା ଅବସରରେ ବୃତ୍ତିଗତ ନିର୍ଯ୍ୟାତନାର ଶୀକାର ହେଉଥିବା ସ୍ୱାଧୀନ, ସର୍ଜନଶୀଳ ଓ ଉଦ୍ୟୋଗୀ ସାମ୍ୱାଦିକଗଣ ୟୁରୋପ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ାରେ ମହାମାରୀ-ପର ଅବସ୍ଥାରେ ଗଢ଼ି ଉଠିଥିବା ‘ଡ଼ିଜିଟାଲ ନେଟିଭ ମିଡ଼ିଆ’, ସଂପର୍କରେ ଯଥାଯଥ ଜ୍ଞାନ ଆହରଣ କରିବା ପ୍ରୟୋଜନ ବିଚାର କରାଯାଏ ।

 

‘ପ୍ରୋଜେକ୍ଟ ଓଏସିସ ୟୁରୋପ’ ନାମକ ଏକ ବେସରକାରୀ ସଂଗଠନ ପକ୍ଷରୁ ୟୁରୋପୀୟ ‘ଡ଼ିଜିଟାଲ ନେଟିଭ ମିଡ଼ିଆ’ ସର୍ବେକ୍ଷଣକରି ବିସ୍ତୃତ ବିବରଣୀ ଅନଲାଇନରେ ପ୍ରକାଶ ପାଇଛି । ‘ପ୍ରୋଜେକ୍ଟ ଓଏସିସ’ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାରେ ସମଧର୍ମୀ ସ୍ୱାଧୀନ ସମ୍ୱାଦ ମଞ୍ଚଗୁଡ଼ିକୁ ମଧ୍ୟ ଅନୁଧ୍ୟାନ କରିଥିଲା । ଏହି ଗବେଷଣା ପ୍ରକଳ୍ପ ଆନୁକୁଲ୍ୟରେ ୨୦୨୨ ଜୁନରୁ ଡ଼ିସେମ୍ୱର ମଧ୍ୟରେ ୟୁରୋପର ୪୦ରୁ ଅଧିକ ରାଷ୍ଟ୍ରରେ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ଏଥି ନିମନ୍ତେ ଏକ ହଜାରରୁ ଉର୍ଦ୍ଧ୍ୱ ସମ୍ୱାଦ ମଞ୍ଚ ଚ଼ିହ୍ନଟ କରାଯାଇଥିବା ସ୍ଥଳେ ୬୫୦ ମଞ୍ଚକୁ ଅନୁଶୀଳନ କରି ୫୪୦ ଗୋଟି ମଞ୍ଚର ପୃଷ୍ଟବନ୍ଧ ‘ପ୍ରୋଫାଇଲ’ ପ୍ରସ୍ତୁତ ହୋଇଥିଲା ।

 

ସର୍ବେକ୍ଷଣର ବିବରଣୀରେ ସାମ୍ୱାଦିକତାରେ ଡିଜିଟାଲ ସମ୍ୱାଦମଞ୍ଚ ପରିଚାଳନା ସଂପର୍କୀତ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଲିପିବଦ୍ଧ । ପ୍ରଥମତଃ, ଅଧ୍ୟୟନ କରାଯାଇଥିବା ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟରୁ ଅର୍ଦ୍ଧେକ ଲାଭ-ରହିତ ‘ନନ-ପ୍ରଫିଟ’ ପ୍ରକାଶନ । ଆଧୁନିକ ସମ୍ୱାଦ ମଞ୍ଚ ପରିଚାଳନାରେ ବ୍ୟାବସାୟିକ ତୁଳନାରେ ଲାଭ-ରହିତ ଅନୁଷ୍ଠାନ ଗୁରୁତ୍ୱ ବହନ କରେ । ସମ୍ୱାଦ ଶିଳ୍ପ କ୍ଷତିରେ ଚାଲୁଥିବା ହେତୁ ବ୍ୟାବସାୟିକ ଆୟ ବଦଳରେ ସମ୍ୱାଦ ମଞ୍ଚ ପ୍ରତିଷ୍ଠା ଓ ପରିଚାଳନା ନିମନ୍ତେ ଅନୁଦାନ, ଗ୍ରାହକ ଚାନ୍ଦା ଓ ପାଠକଙ୍କଠାରୁ ଆର୍ଥିକ ସହଯୋଗ ଆଶା କରାଯାଏ । ଏହି ପରିବେଶରେ ଦାନ ବ୍ୟକ୍ତି ବଦଳରେ ଅନୁଷ୍ଠାନକୁ ପ୍ରଦାନ ଗ୍ରହଣଯୋଗ୍ୟ ।

 

ଦ୍ୱିତୀୟତଃ, ସମ୍ୱାଦ ମଞ୍ଚର ସଫଳ ପରିଚାଳନା ନିମନ୍ତେ ଦୁଇରୁ ଛଅଗୋଟି ଆର୍ଥିକ ସୂତ୍ର ନିର୍ବାଚନ କରିବାକୁ ପଡ଼ିଥାଏ । ଯଥା : ଗ୍ରହକ ଚାନ୍ଦା, ପାଠକଙ୍କ ଦାନ, ବଦାନ୍ୟ ସଂସ୍ଥାରୁ ଦାନ, ପ୍ରୟୋଜିତ ସମ୍ୱାଦ ଓ ଅଭିମତ ପ୍ରକାଶନ, ଉତ୍ସବାନୁଷ୍ଠାନ ଆୟୋଜନ ଓ ଗଣମାଧ୍ୟମ ଉତ୍ପାଦ ପ୍ରସ୍ତୁତି ଇତ୍ୟାଦି । ତୃତୀୟତଃ, ‘ଡ଼ିଜିଟାଲ ନେଟିଭ’ ସମ୍ୱାଦ ମଞ୍ଚଗୁଡ଼ିକ ମୁଖ୍ୟତଃ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳଭିତ୍ତିକ ହେବା ଉଚ଼ିତ । ସ୍ୱତନ୍ତ୍ର ବିଷୟକ ସମ୍ୱାଦ ମଞ୍ଚ ମଧ୍ୟ ପ୍ରଯୋଜନା କରାଯାଇପାରେ । ଚ଼ତୁର୍ଥତଃ, ସର୍ବେକ୍ଷଣରେ ସାମିଲ ହୋଇଥିବା ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟରୁ ଅର୍ଦ୍ଧେକ ବିଗତ ଦଶକରେ ପ୍ରତିଷ୍ଠିତ ହୋଇଥିଲେ । ଖୁବ୍ କମ ସଂଖ୍ୟକ ୨୦ ବର୍ଷ ପୁରାତନ । ଅର୍ଥାତ, ‘ଡ଼ିଜିଟାଲ ନେଟିଭ ମିଡ଼ିଆ’ ଏକ ନବୀନ ଧାରା ।

 

ପଞ୍ଚମତଃ, ଏହି ନୂତନ ପ୍ରବାହରେ ଅର୍ଦ୍ଧାଧିକ ୫୮ ପ୍ରତିଶତ ସମ୍ୱାଦ ମଞ୍ଚ ପ୍ରତିଷ୍ଠାତା ମହିଳା । ଷଷ୍ଠତଃ, ଯେଉଁ ସମ୍ୱାଦ ମଞ୍ଚଗୁଡ଼ିକ ଉଭୟ ମହିଳା ଓ ପୁରୁଷମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସେଗୁଡ଼ିକ ଉତ୍ତମ ମାର୍ଗରେ ପରିଚାଳିତ । ସପ୍ତମତଃ, ଏହି ଭଳି ସମ୍ୱାଦ ମଞ୍ଚଗୁଡ଼ିକ ୮୫ ପ୍ରତିଶତ ମାନବ ଅଧିକାର ସଂପର୍କୀତ ସମ୍ୱାଦ ପ୍ରକାଶନ କରିଥାନ୍ତି । ପ୍ରାୟ ଅର୍ଦ୍ଧେକ ସମ୍ୱାଦ ମଞ୍ଚ ଅନୁସନ୍ଧାନମୂଳକ ସାମ୍ୱାଦିକତା ‘ଇନଭେଷ୍ଟଗେଟିଭ ଜର୍ଣ୍ଣାଲିଜମ’ ଦିଗରେ ସମ୍ୱଳ ବିନିଯୋଗ କରୁଥିବା ଦେଖାଯାଏ । ନବମତଃ, ସମ୍ୱାଦ ମଞ୍ଚ ନିମନ୍ତେ ଆର୍ଥିକ ସମ୍ୱଳ ସଂଗ୍ରହ ନିମନ୍ତେ କ୍ରମାଗତ ଉଦ୍ୟମ ସୁଫଳ ପ୍ରଦାନ କରେ । ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ଯେଉଁ ସମ୍ୱାଦ ମଞ୍ଚଗୁଡ଼ିକ ଆର୍ଥିକ ସମ୍ୱଳ ସଂଗ୍ରହ ନିମନ୍ତେ ଅନ୍ତତଃପକ୍ଷେ ଜଣେ କର୍ମଚାରୀ ନିୟୋଜିତ କରିଥାନ୍ତି, ଅନ୍ୟମାନଙ୍କ ତୁଳନାରେ ଛଅ ଗୁଣା ଅଧିକ ଆୟ ପାଆନ୍ତି ।

 

ଦଶମତଃ, ବିଭିନ୍ନ ସମୟରେ ଯାଞ୍ଚ ବ୍ୟବସ୍ଥାରୁ ଦୂରେଇ ରହିବା ନିମନ୍ତେ ସମ୍ୱାଦ ମଞ୍ଚଗୁଡ଼ିକ ଗ୍ରାହକମାନଙ୍କୁ ‘ଟେଲିଗ୍ରାମ’ ଆପ ଯୋଗେ ସ୍ପର୍ଶକାତର ସମ୍ୱାଦ ପ୍ରେରଣର ବ୍ୟବସ୍ଥା କରିଥାନ୍ତି । କାରଣ ‘ଟେଲିଗ୍ରାମ’ ଆପରେ ପ୍ରେରିତ ପାଠ୍ୟ ବା ଚ଼ିତ୍ର ତୃତୀୟପକ୍ଷ ନଜରରେ ଆସିପାରେ ନାହିଁ । ଯୁବଶ୍ରେଣୀର ପାଠକମାନଙ୍କୁ ଆକର୍ଷିତ କରିବା ନିମନ୍ତେ ବହୁଳ ସୋସିଆଲ ମିଡ଼ିଆର ବ୍ୟବହାରରୁ ସୁଫଳ ମିଳେ । ସେହିପରି ସମ୍ୱାଦ ଶିରୋନାମାରୁ ଦୂରରେ ରହୁଥିବା ଅପହଞ୍ଚ ଅଞ୍ଚଳର ସମ୍ୱାଦ ସଂଗ୍ରହ ଓ ରଚନା ନିମନ୍ତେ ନାଗରିକ ସାମ୍ୱାଦିକମାନଙ୍କୁ ସାମ୍ୱାଦିକତାର ମୌଳିକ ସୂତ୍ରାବଳୀ ତାଲିମ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଥାଏ ।

 

‘ପ୍ରୋଜେକ୍ଟ ଓଏସିସ ୟୁରୋପ’ର ସର୍ବେକ୍ଷଣରେ ୩୪ ଜଣ ଗବେଷକଙ୍କ ସମେତ ୬୦ ଜଣ କର୍ମୀ ନିୟୋଜିତ ହୋଇଥିଲେ । ଅଧ୍ୟୟନର ଉପସଂହାରରେ କୁହାଯାଇଛିଯେ ଡ଼ିଜିଟାଲ ନେଟିଭ ସମ୍ୱାଦ ମଞ୍ଚଗୁଡ଼ିକ ସ୍ୱାବଲମ୍ୱୀ ହେବା ନିମନ୍ତେ ଉଭୟ ଆର୍ଥିକ ଓ ସୃଜନ କ୍ଷେତ୍ରରେ ଉଦ୍ୟମରତ । ତେବେ ଏଥିଲାଗି କୌଣସି ବିଧିବଦ୍ଧ ଧାରା ନିର୍ଦ୍ଧାରଣ କରାଯାଇପାରୁନାହିଁ । ଅବଶ୍ୟ ଏହି ଦିଗରେ ଋଚ଼ି ରଖୁଥିବା ବ୍ୟକ୍ତିବିଶେଷ ‘ପ୍ରୋଜେକ୍ଟ ଓଏସିସ ୟୁରୋପ’ର ୱେବସାଇଟରେ ୫୪୦ ‘ଡ଼ିଜିଟାଲ ନେଟିଭ’ ସମ୍ୱାଦ ମଞ୍ଚର ଲିଙ୍କ ସମେତ ସଂକ୍ଷିପ୍ତ ପୃଷ୍ଟବନ୍ଧ ଅଧ୍ୟୟନ କରି ନିଜସ୍ୱ ପରିକଳ୍ପନା ଗଢ଼ିବା ସୁବିଧା ଉପଲବ୍ଧ ।    

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୫ ଅଗଷ୍ଟ ୨୦୨

ତଥ୍ୟ:

 

https://projectoasiseurope.com

ଅଭିଯୁକ୍ତ ମିଆଁମାର ସାମ୍ୱାଦିକ ଉପାଖ୍ୟାନ

ସରକାରୀ ଗୋପନୀୟତା ଆଇନ ‘ଅଫିସିଆଲସିକ୍ରେଟସ ଆକ୍ଟ’ ବଳରେ ଗିରଫ ହୋଇ ସାତ ବର୍ଷ କାରାଦଣ୍ଡ ଭୋଗୁଥିବା ମିଆଁମାରର ଦୁଇଜଣ ରଏଟରସାମ୍ୱାଦିକଙ୍କୁସେଠାକାର ସରକାର ୨୦୧୯ ମେ’ମାସ ପ୍ରଥମ ସପ୍ତାହରେ ମୁକ୍ତ କରିବା ଘଟଣା ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମରେ ଅଭିବ୍ୟକ୍ତିର ସୁରକ୍ଷା ଲାଗି ତତ୍ପର ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି ।


 

ମିଆଁମାରପୂର୍ବତନ ରାଜଧାନୀ ରେଙ୍ଗୁନଠାରେବ୍ରଟିଶ ସମ୍ୱାଦ ସରବରାହ ସଂସ୍ଥା ରଏଟରବ୍ୟୁରୋରେ କାର୍ଯ୍ୟରତ ଦୁଇଜଣ ଯୁବ ସାମ୍ୱାଦିକ, ୩୩ ବର୍ଷ ବୟସ୍କ ୱା-ଲୋନ ଓ ୨୯ ବର୍ଷ ବୟସ୍କ କେୟା-ସୋ-ଓ ଙ୍କୁ ୧୨ ଡ଼ିସେମ୍ୱର ୨୦୧୭ରେ ଗିରଫ କରାଯାଇଥିଲା । ରେଙ୍ଗୁନ ଉପକଣ୍ଠରେ ପୋଲିସବାହିନୀ କାର୍ଯ୍ୟାଳୟରେ ଜଣେ କର୍ମଚ଼ାରୀଙ୍କୁ ସାକ୍ଷାତ କରି ରାତିର ପ୍ରଥମ ପ୍ରହରରେ ଫେରୁଥିବାବେଳେ ସେନା କର୍ମଚ଼ାରୀ ଜଣକ ଦେଇଥିବା ଓ ସାମ୍ୱାଦିକଦ୍ୱୟଙ୍କଠାରେ ମହଜୁଦ ଥିବା କାଗଜପତ୍ର ଗୋପନୀୟତଥ୍ୟ ସଂବଳିତ ଅଭିଯୋଗ କରି ପୋଲିସ ଗିରଫ କରିଥିଲା । ଉଭୟ ସାମ୍ୱାଦିକ ଓ ରଏଟର ପକ୍ଷରୁ ଏହି ଘଟଣାର ପ୍ରତିବାଦ କରାଯାଇଥିଲା । ବାସ୍ତବରେ ସାମ୍ୱାଦିକଦ୍ୱୟ କୌଣସି ସରକାରୀ ନଥିପତ୍ର ଅକ୍ତିଆର କରି ନଥିବା ଏବଂ ଷଡ଼ଯନ୍ତ୍ର କରି ସେମାନଙ୍କୁ ଫସାଇ ଦିଆଯାଇଥିବା କୈଫିୟତ ପୋଲିସ କିମ୍ୱା ଅଦାଲତ ଗ୍ରହଣ କରିନଥିଲେ ।


 

ମିଆଁମାରରେ ବ୍ରିଟିଶ ଶାସନ କାଳରେ ୧୯୨୩ରେ ପ୍ରଣୀତ ସରକାରୀ ଗୋପନୀୟତା ଆଇନ ଉଲଂଘନରେ ୧୪ ବର୍ଷ କାରାଦଣ୍ଡ ପ୍ରାବଧାନ ରହିଛି । ଲୋନ ଓ ସୋ-ଓ ଙ୍କୁ୨୦୧୮ ସେପ୍ଟେମ୍ୱରରେ ଅଦାଲତ ପକ୍ଷରୁ ସାତ ବର୍ଷ ଲେଖା କାରାବାସରେ ଦଣ୍ଡିତ କରାଯାଇଥିଲା । ହାଇକୋର୍ଟ ୨୦୧୯ ଜାନୁୟାରୀରେ ଓ ସୁପ୍ରିମ କୋର୍ଟ ୨୦୧୯ ଏପ୍ରିଲରେ ଅଭିଯୁକ୍ତଙ୍କ ଦଣ୍ଡବିଧାନରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ । ଶେଷରେ ସାମ୍ୱାଦିକଦ୍ୱୟଙ୍କପତ୍ନୀ ସରକାରଙ୍କଠାରେ ଦରଖାସ୍ତ କରିବାପରେ ରାଷ୍ଟ୍ରପତିଙ୍କ ଆଦେଶକ୍ରମେ ୫୧୧ ଦିନବ୍ୟାପୀଗିରଫ ଓ କାରାବାସରୁ ମୁକ୍ତ କରିଦିଆଯାଇଥିଲା ।


 

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସାମ୍ୱାଦିକଦ୍ୱୟଙ୍କ ପତ୍ନୀ ସାମ୍ୱାଦିକଙ୍କ ଉପରେ ଆରୋପ କରାଯାଇଥିବା ଅପରାଧ କିମ୍ୱା ସେମାନେ ନିର୍ଦ୍ଦୋଷଥିବା ଦରଖାସ୍ତରେ ଗୁରୁତ୍ୱ ନଦେଇ ଅଭିଯୁକ୍ତଦ୍ୱୟ ଖଲାସ ହେଲେ ସେମାନଙ୍କ ପାରିବାରିକ ଜୀବନ ସୁଖମୟ ହୋଇପାରିବ ବୋଲି ଯୁକ୍ତି ବାଢ଼ିଥିଲେ । ପାରମ୍ପରିକଭାବେ ମିଆଁମାରରେନୂତନବର୍ଷ ପାଳନ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଆଦେଶକ୍ରମେ ଦେଶର କାରାଗାରଗୁଡ଼ିକରୁ କେତେକ ବନ୍ଦୀଙ୍କୁ କ୍ଷମା ପ୍ରଦାନ କରାଯାଇ ମୁକ୍ତି ଦିଆଯାଇଥାଏ । ୨୦୧୯ରେ ଏପ୍ରିଲ ୧୭ ତାରିଖରୁ ନବବର୍ଷ ଉତ୍ସବ ପାଳନ ଆରମ୍ଭ ହୋଇଥିଲା ଏବଂ ଏହି ଅବସରରେ ୬,୫୦୦ ବନ୍ଦୀଙ୍କୁ ମୁକ୍ତି ଦିଆଯାଇଥିଲା । ସେହି ୬,୫୦୦ ମୁକ୍ତବନ୍ଦୀଙ୍କ ମଧ୍ୟରେ ଲୋନ ଓ ସୋ-ଓ ଅନ୍ତର୍ଭୁକ୍ତ ଏବଂ ରାଷ୍ଟ୍ରପତିଙ୍କ କ୍ଷମା ବଳରେ ୭ ମେ ୨୦୧୯ରେ ରେଙ୍ଗୁନ ଉପକଣ୍ଠ ଇନସେଇନ କାରାଗାରରୁ ମୁକ୍ତ ହୋଇଥିଲେ ।


 

ମିଆଁମାର ଏକ ବୌଦ୍ଧ ଧର୍ମାବଲମ୍ୱୀ ସମୃଦ୍ଧ ରାଷ୍ଟ୍ର । ଏଠାକାର ୫ କୋଟି ୩୦ ଲକ୍ଷ ନାଗରିକଙ୍କ ମଧ୍ୟରେ ରୋହିଙ୍ଗାବଙ୍ଗଭାଷୀ ମୁସଲମାନ ଏକ ସଂଖ୍ୟାଲଘୁ ସଂପ୍ରଦାୟ । ତେବେ ସେମାନଙ୍କୁ ମିଆଁମାରରେସରକାରୀଭାବେନାଗରିକତ୍ୱ ପ୍ରଦାନ କରାଯାଇ ନାହିଁ । ରାଖିନେ ପ୍ରଦେଶର ଇନ-ଦିନ ଗ୍ରାମଟି ରାଜ୍ୟ ରାଜଧାନୀ ସିଟାୱେ ଠାରୁ ୫୦ କିଲୋମିଟର ଦୂରବର୍ତ୍ତୀ ସମୁଦ୍ର ଉପକୂଳରେ ଅବସ୍ଥିତ । ଏଠାକାର ମୋଟ ଜନସଂଖ୍ୟା ସାତ ହଜାର ମଧ୍ୟରୁ ଏକ ହଜାର ବୌଦ୍ଧ ଧର୍ମାବଲମ୍ୱୀ ଥିବା ସ୍ଥଳେ ଛଅ ହଜାର ରୋହିଙ୍ଗା ସଂପ୍ରଦାୟ ଅନ୍ତର୍ଭୁକ୍ତ । ସେପ୍ଟେମ୍ୱର୨୦୧୬ ପରଠୁଇନ-ଦିନ ଅଞ୍ଚଳରେ ରୋହିଙ୍ଗା ସଂପ୍ରଦାୟର ଉଗ୍ରବାଦୀମାନେ ପୋଲିସ ଓ ସେନାବାହିନୀ ଶିବିର ଉପରେ ଆକ୍ରମଣ ଘଟଣାର ମୁକାବିଲା କରିବା ନିମନ୍ତେ ୨୭ ଅଗଷ୍ଟ ୨୦୧୭ରେ ମିଆଁମାରସେନାବାହିନୀର ଏକ ୮୦ ଜଣିଆ ଦଳ ଗ୍ରାମରେ ପହଞ୍ଚିଥିଲେ । ୨ ସେପ୍ଟେମ୍ୱର ୨୦୧୭ରେ ଇନ-ଦିନର ଦଶ ଜଣ ରୋହିଙ୍ଗାଙ୍କୁ ସେନାବାହିନୀ ନିର୍ମମଭାବେଗଣହତ୍ୟା କରିଥିବା ଅସମର୍ଥିତ ସୂତ୍ରରୁ ପ୍ରଚ଼ାରିତ ହୋଇଥିଲା । ରଏଟରରେଙ୍ଗୁନବ୍ୟୁରୋ ପକ୍ଷରୁ ଏହି ଘଟଣାର ପର୍ଦ୍ଦାଫାସ କରିବା ନିମନ୍ତେ ୱା-ଲୋନଅନୁସନ୍ଧାନମୂଳକ ସାମ୍ୱାଦିକତା ‘ଇନଭେଷ୍ଟଗେଟିଭଜର୍ଣ୍ଣାଲିଜମ’ ଆରମ୍ଭ କରିଥିଲେ ।


 

ଇନ-ଦିନ ଘଟଣାବଳୀ ସଂପର୍କରେ ୱା-ଲେନଙ୍କ ସାମ୍ୱାଦିକତାର ବିବରଣୀ ରଏଟର ୱେବ ପୋର୍ଟାଲରେମିଆଁମାରରେଗଣହତ୍ୟା‘ମାସାକରଇନମିଆଁମାର’ ଶୀର୍ଷକ ରଚ଼ନା ୮ ଫେବୃୟାରୀ ୨୦୧୮ରେ ପ୍ରକାଶିତ ହୋଇଥିଲା । ଅଧ୍ୟୟନ ନିମନ୍ତେ ରଚ଼ନାଟିମେ ୨୦୧୯ ସୁଦ୍ଧା ଉପଲବ୍ଧ ।


 

ସ୍ମାର୍ଟଫୋନର ବହୁଳ ବ୍ୟବହାର ଫଳରେ କୌଣସି ଗୁରତ୍ୱପୂର୍ଣ୍ଣ ଘଟଣାର ସତ୍ୟତା ପରଖିବା ନିମନ୍ତେ ଜନସାଧାରଣଙ୍କ ଦ୍ୱାରା ଉତ୍ତୋଳିତ ଜୀବନ୍ତ ଘଟଣାବଳୀର ଚ଼ିତ୍ର ଓ ଭିଡ଼ିଓ ଅକାଟ୍ୟ ପ୍ରମାଣରୂପେ ଉପସ୍ଥାପିତ କରାଯାଇପାରୁଛି । ଇନ-ଦିନ ଘଟଣାବଳୀ ଅନୁଧ୍ୟାନ କରିବା ନିମନ୍ତେ ସଂପୃକ୍ତ ଗ୍ରାମ ପରିଦର୍ଶନକାଳରେ ଦଶଜଣ ରୋହିଙ୍ଗା ବନ୍ଦୀଙ୍କ ତିନିଗୋଟି ଫୋଟ ୱା-ଲେନଙ୍କ ହସ୍ତଗତ ହୋଇଥିଲା । ଗ୍ରାମର ବୌଦ୍ଧ ଧର୍ମାବଲମ୍ୱୀ ଓ ସରକାରୀ କର୍ମକର୍ତ୍ତାଙ୍କ ସହ ସାକ୍ଷାତକରି ବିଶଦ ବିବରଣୀ ସଂଗ୍ରହ କରିଥିଲେ । ଇନ-ଦିନରେ ବସବାସ କରୁଥିବା ଛଅ ହଜାର ରୋହିଙ୍ଗାଙ୍କବସ୍ତିଗୁଡ଼ିକ ଭସ୍ମୀଭୂତ ହୋଇଯାଇଥିଲା । ସମସ୍ତେ ଗାଁ ଛାଡ଼ିଚାଲିଯାଇଥିଲେ । ୱା-ଲୋନ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବାଂଲାଦେଶର ଶରଣାର୍ଥୀ ଶିବିରରେ ପହଞ୍ଚି ସାକ୍ଷାତ କରିଥିଲେ । ନିଜ ପାଖରେ ଥିବା ଫୋଟଦେଖାଇ ବନ୍ଦୀମାନଙ୍କ ପରିଚ଼ୟ ସଂଗ୍ରହ ସଂଭବପର ହୋଇଥିଲା ।


 

ଅପରପକ୍ଷେ ଇନ-ଦିନ ୨ ସେପ୍ଟେମ୍ୱର ୨୦୧୭ ଘଟଣା ସାଧାରଣରେ ଚର୍ଚ୍ଚିତ ହେବାପରେ ସେନାବାହିନୀ ପକ୍ଷରୁ ୧୦ ଜାନୁୟାରୀ ୨୦୧୮ ସ୍ୱଷ୍ଟୀକରଣରେ କୁହାଯାଇଥିଲା ଯେ ସେନା କର୍ମଚ଼ାରୀଙ୍କୁ ପ୍ରାୟ ଦୁଇ ଶହ ରୋହିଙ୍ଗା ଆକ୍ରମଣ କରିବା ଅବସରରେ ସୈନ୍ୟମାନେ ଫାଙ୍କା ଗୁଳିଚ଼ାଳନାକରିଥିଲେ ଏବଂ ଆକ୍ରମଣକାରୀମାନେ ଛତ୍ରଭଙ୍ଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଦଶଜଣଙ୍କୁ ସେନାବାହିନୀ ବନ୍ଦୀ କରିଥିଲେ । ପରେ ସଂଖ୍ୟାଲଘୁ ସଂପ୍ରଦାୟର ଦୁଇଜଣଙ୍କୁ ଅନ୍ୟ ତିନିଜଣ ଗ୍ରାମବାସୀ ଖଣ୍ଡାରେ ହାଣି ଦେଇଥିଲେ । ଚ଼ାରିଜଣ ସୈନ୍ୟ ଗୁଳିଚ଼ାଳନା କରିବାକୁ ବାଧ୍ୟ ହୋଇଥିଲେ । ଅଭିଯୁକ୍ତ ସେନା କର୍ମଚ଼ାରୀ ଓ ଗ୍ରାମବାସୀଙ୍କ ବିରୁଦ୍ଧରେ ଆଇନାନୁଯାୟୀପଦକ୍ଷେପ ଗ୍ରହଣ କରାଯାଇଛି ।


 

ରଏଟର ୱେବ-ପୋର୍ଟାଲରେ ସ୍ଥାନିତ ‘ମାସାକେରଇନମିଆଁମାର’ ରଚନାରେ ପ୍ରଦତ୍ତ ବର୍ଣ୍ଣନା ଅନୁଯାୟୀ ରୋହିଙ୍ଗା ଉଗ୍ରବାଦୀଙ୍କ ଆକ୍ରମଣରେ ବୌଦ୍ଧଧର୍ମାବଲମ୍ୱୀମାନେହତୋତ୍ସାହ ହୋଇପଡ଼ିଥିଲେ । ପାରମ୍ପରିକଭାବେ ରୋହିଙ୍ଗାମାନଙ୍କୁ ସେମାନେ କୃଷି ଶ୍ରମିକ ଓ ଘର କାମରେ ନିଯୁକ୍ତ କରିଆସୁଥିବା ସ୍ଥଳେ କ୍ରମଶଃ ଓହରି ଯାଇଥିଲେ । ସେନାବାହିନୀ ଇନ-ଦିନ ଗ୍ରାମରେ ପହଞ୍ଚିବାପରେବୌଦ୍ଧଧର୍ମାବଲମ୍ୱୀମାନେସେମାନଙ୍କୁ ସହଯୋଗ କରିବାକୁ ରାଜି ହୋଇଥିଲେ ।


 

ରୋହିଙ୍ଗା ବସ୍ତିରେ ଜଳାପୋଡ଼ା ଓ ସେନାବାହିନୀ ଉପସ୍ଥିତିରେ ଆତଙ୍କିତ ହୋଇ ଅନେକ ରୋହିଙ୍ଗାଘରଦ୍ୱାରଛାଡ଼ିସମୁଦ୍ରକୂଳରେ ଆଶ୍ରୟ ନେଉଥିବା ଅବସରରେ ଜଣେ  ରୋହିଙ୍ଗା ଧର୍ମଗୁରୁ ଓ କିଛି ସେନାକର୍ମଚ଼ାରୀଙ୍କ ମଧ୍ୟରେ ବଚ଼ସାକୁ କେନ୍ଦ୍ର କରି ଦଶ ଜଣ ରୋହିଙ୍ଗାଙ୍କୁ ସେନାବାହିନୀ ବାନ୍ଧି ନେଇଥିଲେ । ସେମାନଙ୍କ ମଧ୍ୟରେ ପାଞ୍ଚ ଜଣ ମତ୍ସ୍ୟଜୀବୀ, ଜଣେ ଗୁଆ ଓ ଚ଼ା ଦୋକାନୀ, ଜଣେ ଜାଲ ଓ ଯନ୍ତ୍ରାଂଶ ଦୋକାନୀ, ଦୁଇ ଜଣ ହାଇସ୍କୁଲ ଛାତ୍ର ଓ ଧର୍ମଗୁରୁ ଜଣକ ଅନ୍ତର୍ଭୁକ୍ତ । ୱା-ଲେନଙ୍କ ଦ୍ୱାରା ସଂଗୃହୀତ ତଥ୍ୟ ଅନୁଯାୟୀ ସେମାନଙ୍କୁ ୧ ସେପ୍ଟେମ୍ୱର ୨୦୧୭ ସନ୍ଧ୍ୟାରେ ବନ୍ଦୀ କରାଯାଇ ୨ ସେପ୍ଟେମ୍ୱର ୨୦୧୭ ଦିନ ଦଶଟାବେଳେହତ୍ୟା କରାଯାଇଥିଲା ।


 

ଇନ-ଦିନର ମଉଙ୍ଗ-ନି ନାମକ ଜଣେ ବୌଦ୍ଧ ଧର୍ମାବଲମ୍ୱୀଚ଼ାଷୀ ୨୫ ଅଗଷ୍ଟ ପ୍ରଭାତରେ ନିଜ କ୍ଷେତରେ ଗାଈଚ଼ରାଇବାକୁଯାଇ ନିଖୋଜ ହୋଇଯାଇଥିଲେ । ଗ୍ରାମବାସୀମାନେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ କରିଥିଲେ । ଗଣହତ୍ୟାର ପ୍ରଥମ ପାଦରେ ମଉଙ୍ଗ-ନିଙ୍କଦୁଇ ପୁତ୍ର ଧର୍ମଗୁରୁଙ୍କ ସହ ଅନ୍ୟଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ଅନ୍ୟମାନଙ୍କୁ ଗୁଳି କରାଯାଇ ଖୋଳାଯାଇଥିବା ଏକ ବଡ଼ଖାଲରେ ସମସ୍ତଙ୍କୁ ସମାଧି ଦିଆଯାଇଥିଲା । ଜଣକୁ ଦୁଇ ତିନିଥର ଗୁଳି କରାଯାଇଥିବା ସ୍ଥଳେ କବରରେ ମାଟି ଭର୍ତ୍ତିବେଳେମୃତକଙ୍କ ମଧ୍ୟରୁ କେତେଜଣ କ୍ଷୀଣସ୍ୱରରେ ଆର୍ତ୍ତନାଦ କରୁଥିବା ଶୁଣିବାକୁ ମିଳିଥିବା ତଥ୍ୟ ୱା-ଲୋନ ବର୍ଣ୍ଣନା କରିଥିଲେ ।


 

ୱା-ଲୋନ ଓ ସୋ-ଓଙ୍କ ରଚନା ମେ’ ୨୦୧୮ରେ ସମ୍ମାନଜନକ ପୁଲିଜାରପୁରସ୍କାର ପାଇଥିଲା । ଜାତିସଂଘର ଆକଳନରେ ମିଆଁମାର ସାଂପ୍ରଦାୟିକ ଦଙ୍ଗାରେ ବାସଚ୍ୟୁତ ହୋଇ୭ ଲକ୍ଷ ୩୦ ହଜାର ରୋହିଙ୍ଗାଶାରଣାର୍ଥୀ ବାଂଲାଦେଶରେ ପହଞ୍ଚିଥିଲେ । ତେବେ ମିଆଁମାରଦଙ୍ଗା ସଂପର୍କରେ ପ୍ରଭାବିତ ରୋହିଙ୍ଗାଙ୍କ ଅନୁଭୂତି ଭିନ୍ନ ବିଶେଷ ତଥ୍ୟ ସର୍ବସାଧାରଣରେ ଉନ୍ମୋଚ଼ିତ ହୋଇପାରିନଥିଲା । ରଏଟରରଅନୁସନ୍ଧନାମୂଳ ସାମ୍ୱାଦିକତା ଇନ-ଦିନର ଘଟଣାବଳୀ ତଥ୍ୟ ସହ ପ୍ରକାଶିତ ହେବା ଫଳରେ ୱା-ଲୋନଙ୍କ ବ୍ୟକ୍ତିଗତ ଜୀବନ ଉପରକୁ ବିପଦ ମାଡ଼ି ଆସିଥିଲା ।


 

ରଏଟର ୱେବ ପୋର୍ଟାଲରେ ୮ ଅଗଷ୍ଟ ୨୦୧୮ରେ ପ୍ରକାଶିତ ବିପଦପୂର୍ଣ୍ଣ ସମ୍ୱାଦ ‘ଡ଼େଞ୍ଜରସନିଉସ’ ରଚନାରେ ୱା-ଲୋନଙ୍କବୟାନ ଅନୁଯାୟୀ କୌଶଳକ୍ରମେ ୧୨ ଡ଼ିସେମ୍ୱର ୨୦୧୭ ସନ୍ଧ୍ୟାରେ ରେଙ୍ଗୁନଉପକଣ୍ଠ ପୋଲିସ କାର୍ଯ୍ୟାଳୟର ଜଣେ କର୍ମଚ଼ାରୀଇନ-ଦିନ ସଂପର୍କରେ ଅଭିଜ୍ଞତା ଜଣାଇବା ନିମନ୍ତେ ନିମନ୍ତ୍ରଣ କରିଥିଲେ । ୱା-ଲୋନରଏଟରବ୍ୟୁରୋମୁଖ୍ୟଙ୍କୁ ଏ ସଂପର୍କରେ ଅବଗତ କରାଇବା ପରେ ତାଙ୍କରି ପରାମର୍ଶକ୍ରମେ ସହକର୍ମୀ ସୋ-ଓ ଙ୍କୁ ସାଥିରେ ନେଇ ରାତି ଆଠଟା ସୁଦ୍ଧା ପୋଲିସକାର୍ଯ୍ୟାଳୟରେ ପହଞ୍ଚିଥିଲେ ।


 

ନିମନ୍ତ୍ରଣ କରିଥିବା କର୍ମଚାରୀ ଜଣକ ଦିହିଁଙ୍କୁସେଠାକାର ଗାର୍ଡନ ରେଷ୍ଟୁରାଣ୍ଟରେ ପାନୀୟରେ ଆପ୍ୟାୟିତ କରି ଢ଼େର ସମୟ ଇନ-ଦିନର ୨୦୧୭ ଘଟଣାବଳୀ ସଂପର୍କରେ ଆଲୋଚ଼ନା କଲେ । ଶେଷରେ ଦୁଇଜଣ ସାମ୍ୱାଦିକ ଫେରିବା ବେଳେ ପୁରୁଣା ଖବରକାଗଜରେ ଗୁଡ଼ାଯାଇଥିବା କିଛି କାଗଜପତ୍ର ତାଙ୍କରି ହାତକୁ ବଢ଼ାଇ ଦେଲେ । ରେଷ୍ଟୁରାଣ୍ଟ ବାହାରେ ସାଦା ପୋଷାକ ପରିହିତ ପୋଲିସ ସେମାନଙ୍କୁ ତଲାସ କରି କାଗଜପତ୍ର ଜବତ କରି ସରକାରୀ ଗୋପନୀୟତା ଆଇନ ବଳରେ ଗିରଫ କରିଥିଲେ । ଅଦାଲତରେ ପୋଲିସକର୍ମଚ଼ାରୀ ଜଣକ ୱା-ଲୋନ ତାଙ୍କୁ ଆଲୋଚ଼ନା ଲାଗି ଡ଼ାକିଥିବା ଓ ସେ ୱା-ଲୋନଙ୍କୁ କୌଣସି କାଗଜପତ୍ର ଦେଇନଥିଲେ ବୋଲି କହିଥିଲେ ।


 

ୱା-ଲୋନଙ୍କ ଅଭିଜ୍ଞତା ଲୁକ୍କାୟିତ ତଥ୍ୟ ଉନ୍ମୋଚ଼ନ ଏବଂ ସେଥିରେ କ୍ଷୁବ୍ଧ ସରକାରୀ କଳର ପ୍ରତିଶୋଧ ପରାୟଣତା ତଥା ଅଦାଲତର ଅସହାୟତାର ଏକ ଜ୍ୱଳନ୍ତ ଉଦାହରଣ । 

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ ୨୦୧୯


ତଥ୍ୟ:



Two Reuters reporters freed in Myanmar after more than 500 days in jail. Reuters. May 6, 2019 



<https://www.reuters.com/article/us-myanmar-journlists-idUSKN1SDO56>


 

Lone, Wa& Kyaw Soe OO, Simon Lewis, Antoni Slodkowski. Massacre in Myanmar. Reuters. February 8, 2018.



<https://www.reuters.com/investigates/special-report/myanmar-rakhine-events/>


 

Lasseter, Tom. Dangerous News. Reuters. August 8, 2018 



<https://www.reuters.com/investigates/special-report/myanmar-reporters-democracy-specialre/special-report-news-how-two-young-reporters-shook-myanmar-idUSKBN1KT1AD>

ମିଆଁମାର ରଏଟର ସାମ୍ୱାଦିକତା

ମିଆଁମାରରେ ଦୁଇଜଣ ରଏଟର ସାମ୍ୱାଦିକ ୨୦୧୭ ଡ଼ିସେମ୍ୱର ମାସରେ ପୋଲିସଦ୍ୱାରା ଗିରଫ ତଥା ବର୍ଷାଧିକକାଳକାରାବାସପରେ ୨୦୧୯ ମେ’ ମାସରେ ରାଷ୍ଟ୍ରପତିଙ୍କ କ୍ଷମା ଯୋଜନାରେ ମୁକ୍ତି ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମ ମହଲରେ ମିଆଁମାରରଏଟର ସାମ୍ୱାଦିକତାରସ୍ୱରୂପ ସଂପର୍କରେ ପରିଚ଼ିତ ହେବା ନିମନ୍ତେ ଉତ୍ସୁକତା ସୃଷ୍ଟି କରିବା ସ୍ୱାଭାବିକ । ରଏଟର ୱେବପୋର୍ଟାଲରେ ୮ ଅଗଷ୍ଟ ୨୦୧୮ରେ ପ୍ରକାଶିତ ଟମ ଲେସେଟେରଙ୍କ ରଚନା ‘ଡ଼େଞ୍ଜରସ ନିଉଜ: ହାଉଟୁ ୟଙ୍ଗ ରିପୋର୍ଟସସୁକମିଆଁମାର’ଏସଂପର୍କରେ ବିଶଦ ବିବରଣୀ ଉପସ୍ଥାପନ କରିଥାଏ ।


 

ମିଆଁମାରରଏଟରବ୍ୟୁରୋରେ ୨୦୧୬ରେ ୱା-ଲୋନ ନାମକ ୩୧ ବର୍ଷ ବୟସ୍କ ସାମ୍ୱାଦିକ ଯୋଗ ଦିଅନ୍ତି । ତାଙ୍କରି ସେପରି କିଛି ଆନୁଷ୍ଠାନିକ ଶିକ୍ଷାଗତ ଯୋଗ୍ୟତା ନଥିଲା । ଦେଶର ପୂର୍ବତନ ରାଜଧାନୀ ରେଙ୍ଗୁନରେ ସେ ପ୍ରାୟ ଛଅବର୍ଷ ବସବାସ କରିଆସିଥିଲେ । ମିଆଁମାରଟାଇମସରେ ତିନିବର୍ଷ ସମେତ ଅନ୍ୟାନ୍ୟ ଛୋଟବଡ଼ ସ୍ଥାନୀୟ ସମ୍ୱାଦପତ୍ରରେ କିଛି କିଛି ସମୟ କଟାଇଥିଲେ ।


 

ଲୋନଙ୍କ ଜନ୍ମ ଗ୍ରାମାଞ୍ଚଳରେ ଏକ କୃଷକ ପରିବାରରେ । କୃଷିକାର୍ଯ୍ୟ ରୋଜଗାରରେ ଆର୍ଥିକ ଅନିଶ୍ଚିତତାରୁ ମୁକ୍ତିପାଇବା ଉଦ୍ଦେଶ୍ୟରେ ୨୦୦୪ରେ କିଶୋରବସ୍ଥାରେସେ ଘର ଛାଡ଼ିଥିଲେ । କିଛି ଦିନ ରେଙ୍ଗୁନ ଓ କିଛି ଦିନ ଅନ୍ୟତମ ବଡ଼ ସହର ମାୱଲେମିରେ କଟାଇଥିଲେ । ପ୍ରାଥମିକ ଅବସ୍ଥାରେ ପ୍ରାୟତଃ ଶାରିରୀକ ଶ୍ରମନିଯୁକ୍ତିରେ ତାଙ୍କରି ଗୁଜୁରାଣ ମେଣ୍ଟୁଥିଲା । ୱେଲଡ଼ିଂ କମାରଶାଳରେ ଶ୍ରମିକଠାରୁ ଆରମ୍ଭ କରି ପରିବା ବଜାରରେ ମାଲରଖାଥୁଆ ଯାଏଁ ଭିନ୍ନ ଭିନ୍ନ ବୃତ୍ତିରେ ନିୟୋଜିତ ହୋଇଥିଲେ ।


 

ତେବେ ଲୋନଙ୍କପଢ଼ାଶୁଣା ପ୍ରତି ଆଗ୍ରହ ଥିଲା । ମିଆଁମାରର କେତେକ ପ୍ରମୁଖ ସହରରେ ବ୍ରିଟିଶ ଦୂତାବାସ ଓ ବ୍ରିଟିଶ କାଉନସିଲ ପକ୍ଷରୁ ଶିକ୍ଷାର ପ୍ରସାର ନିମନ୍ତେ ଛୋଟକାଟରପଠନାଗାରମାନ ଚାଲୁ କରାଯାଇଥିଲା । ଲୋନଇଂଲିଶ ଶିଖିବା ନିମନ୍ତେ ସନ୍ଧ୍ୟାରେ ସେଠାରେ ପହଞ୍ଚୁଥିଲେ । ସାଙ୍ଗସାଥିଙ୍କ ମେଳରେ ଦେଶର ରାଜନୀତିକ ଭବିଷ୍ୟତ ସଂପର୍କରେ ବିଚ଼ାରବିମର୍ଷରେ ଭାଗ ନେଉଥିଲେ । ତାଙ୍କରି ଜଣେ ଦୂର-ସଂପର୍କୀୟ ଭାଇ ବୌଦ୍ଧଭିକ୍ଷୁଙ୍କ ସହ ଯୋଗାଯୋଗ ରଖି ବିଭିନ୍ନ ଲୋକହିତକର କାର୍ଯ୍ୟକ୍ରମ ଲାଗି ସ୍ୱତଃପ୍ରବୃତ୍ତଭାବେଚ଼ାନ୍ଦା ଆଦାୟରେ ସମୟ ଦେଉଥିଲେ । ଥାଇଲ୍ୟାଣ୍ଡରେ ଆୟୋଜିତ ଗଣତାନ୍ତ୍ରିକ ଶାସନ ସଚେତନତା ପ୍ରସାର ନିମନ୍ତେ ଏକ କର୍ମଶାଳାରେ ଯୋଗଦେଇ ଦେଶବିଦେଶରେ ସଂଘଟିତ ଆନ୍ଦୋଳନ ସଂପର୍କରେ ଅବଗତ ହୋଇଥିଲେ । ସେଠି ଦୁଇମାସ କଟାଇ ମିଆଁମାରଫେରିବାପରେ କ୍ରମଶଃ ସାମ୍ୱାଦିକତା ପ୍ରତି ଆଗ୍ରାହାନ୍ୱିତହୋଇପଡ଼ିଥିଲେ ।


 

ରଏଟରରେ ଯୋଗଦେବା ପୂର୍ବରୁ ଲୋନମିଆଁମାରରେ ଆଭ୍ୟନ୍ତରୀଣ ସଶସ୍ତ୍ର ଆନ୍ଦୋଳନଗୁଡ଼ିକ ସଂପର୍କୀତ ସମ୍ୱାଦ ପରିବେଷଣରେ ଦକ୍ଷତା ହାସଲ କରିଥିଲେ । ରଏଟରରେ ଅବସ୍ଥାପିତ ହେବାପରେ ରାଖିନେ ପ୍ରଦେଶରେ ରୋହିଙ୍ଗା ସଂପ୍ରଦାୟ ଓ ସୁରକ୍ଷାବାହିନୀ ମଧ୍ୟରେ ସଂଘର୍ଷର ଧାରାବିବରଣୀ ସଂଗ୍ରହ କରିବା ଦାୟିତ୍ୱ ଦିଆଯାଇଥିଲା । ରାଖିନେ ପ୍ରଦେଶର ସୀମାନ୍ତ ଅଞ୍ଚଳରେ ଶିବିରଗୁଡ଼ିକ ଉପରେ ରୋହିଙ୍ଗା ଉଗ୍ରବାଦୀମାନଙ୍କ ଆକ୍ରମଣର ଜବାବରେ ସେନାବାହିନୀ ଦ୍ୱାରା ଏକ ଘଟଣାରେ ଆଠଜଣ ରୋହିଙ୍ଗା ମହିଳାଙ୍କୁ ବଳାତ୍କାରସଂପର୍କରେ ୨୦୧୬ରେ ପ୍ରକାଶିତ ସମ୍ୱାଦରେ ଲୋନଙ୍କ ବର୍ଣ୍ଣନା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଧର୍ଷଣର ଶୀକାର ହୋଇଥିବା ଜଣେ ମହିଳା ସାକ୍ଷାତକାରରେ କହିଥିଲେ ଯେ ଦୁଇଜଣ ତାଙ୍କରି ଦୁଇ ହାତ ଓ ତୃତୀୟ ଜଣକ ପଛପଟୁ ଚୁଟି ଟାଣି ଧରିଥିବାବେଳେ ଅନ୍ୟମାନେ ବଳତ୍କାର କରିଥିଲେ । ଲୋନଙ୍କ ପରିବେଷିତ ସମ୍ୱାଦରେ ମହିଳାଙ୍କ ବୟାନ ସ୍ଥାନିତ ହୋଇଥିଲା ।


 

ଅପରପକ୍ଷେ ରୋହିଙ୍ଗା ଉଗ୍ରବାଦୀଙ୍କ ଦ୍ୱାରା ସେନାବାହିନୀର ତିରିଶିଗୋଟି ଶିବିର ଉପରେ ଏକାଥରକେ ସଶସ୍ତ୍ର ଆକ୍ରମଣରେ ୧୨ ଜଣ ସୈନ୍ୟଙ୍କୁ ହତ୍ୟା ଭଳି ବିବରଣୀ ମଧ୍ୟ ଲୋନଙ୍କ ବିବରଣୀରୁବାଦ ଯାଇନଥିଲା । ସାମ୍ୱାଦିକତାରେ ପକ୍ଷପାକ୍ଷିକତାର ସ୍ଥାନ ନାହିଁ । ଲୋନ ନିଜେ ବୌଦ୍ଧ ଧର୍ମାବଲମ୍ୱୀ ଏବଂ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଦୀର୍ଘକାଳ ଚ଼ାନ୍ଦା ଆଦାୟରେ ନିଜକୁ ନିୟୋଜିତ କରିଥିଲେ ହେଁ ରୋହିଙ୍ଗା ସଂପ୍ରଦାୟ ବିରୁଦ୍ଧରେ ବୌଦ୍ଧ ଜନସାଧାରଣ ଓ ସେନାବାହିନୀର ଅବିଚ଼ାରରେ ପକ୍ଷଗ୍ରହଣ କରିନଥିଲେ । ସେହିପରି ରୋହିଙ୍ଗା ଉଗ୍ରବାଦୀ ଓ ସେନାବାହିନୀର ସଂଘର୍ଷରେ ଦୁଇ ପକ୍ଷର ପୂର୍ଣ୍ଣାଙ୍ଗ ବିବରଣୀ ଉପସ୍ଥାପିତ କରୁଥିଲେ । ସମ୍ୱାଦ ଆଙ୍ଗୀକରେ ଧର୍ଷିତାଙ୍କ ବୟାନ ଉଦ୍ଧାର କରିବା ଭଳି ଘଟଣାଗୁଡ଼ିକରସୁକ୍ଷ୍ମାତିସୁକ୍ଷ୍ମ ବିଶ୍ଳେଷଣ ତାଙ୍କରି ସାମ୍ୱାଦିକତାକୁପ୍ରାଣବନ୍ତକରିଗଢ଼ି ତୋଳିବାରେ ସହାୟକ ହୋଇଥିବା ଲକ୍ଷ୍ୟ କରାଯାଇପାରେ ।


 

ଲୋନରୋହିଙ୍ଗା ସଂପ୍ରଦାୟ ସଂପର୍କରେ ତଥ୍ୟ ସଂଗ୍ରହ କରିବା ନିମନ୍ତେ ବରାବର ସେମାନେ ବହୁଳ ସଂଖ୍ୟାରେ ବସବାସ କରୁଥିବା ରାଖିନେ ପ୍ରଦେଶ ଗସ୍ତ କରିଥାନ୍ତି । ଏଥିଲାଗି ଯାତାୟତ ଖର୍ଚ୍ଚ ରଏଟରରୁବିଳମ୍ୱରେ ପାଉଥିବା ହେତୁ ବ୍ୟକ୍ତିଗତସ୍ତରରେ ଆର୍ଥିକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଥାଏ । ତେବେବି ସେ ଧାରଉଧାର କରି କାମଚଳେଇ ଦେଉଥାନ୍ତି । ଅକ୍ଟୋବର ୨୦୧୭ରେ ସେ ରଏଟରର ଅନ୍ୟତମ ସହଯୋଗୀ ସାଇମନ ଲୁଇସଙ୍କ ସହ ରାଖିନେ ଯାଇଥିଲେ । ସେଠି ଅବସ୍ଥାପିତ ସୋ-ଓଙ୍କ ସହ ସାକ୍ଷାତପରେତିନିହେଁରୋହିଙ୍ଗା ସଂପ୍ରଦାୟ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହରେ ଲାଗି ପଡ଼ିଲେ । ଲୁଇସ ରାଖିନେ ପ୍ରଦେଶର ରାଜଧାନୀ ସିତୱାରେସାକ୍ଷାତକାରମାନ ଆୟୋଜନରେ ବ୍ୟସ୍ତ ଥିବା ସ୍ଥଳେ ଲୋନ ଓ ସୋ-ଓ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳ ଗସ୍ତରେ ବାହାରିଲେ । ମିଆଁମାରରେ ଗ୍ରାମାଞ୍ଚଳ ଯାତ୍ରା ନିମନ୍ତେ ମଟର ସାଇକଲଟ୍ୟାକ୍ସି ବ୍ୟବହୃତ ହୋଇଥାଏ । ଲୋନ ଓ ସୋ-ଓ ଦୁଇଗୋଟି ମଟରସାଇକଲଟ୍ୟାକ୍ସି ବରାଦ କରି ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳ ପରିଦର୍ଶନ କରିଥିଲେ ।


 

ଯାତ୍ରାକାଳରେ ଆଳାପ-ଆଲୋଚ଼ନାରେ ସୋ-ଓଙ୍କମଟରସାଇକଲ ଡ୍ରାଇଭର କହିଲା ଯେ ନିକଟସ୍ଥ ଇନ-ଦିନ ଗ୍ରାମରେ ସେନାବାହିନୀ ଦଶଜଣ ରୋହିଙ୍ଗାଙ୍କୁ ହତ୍ୟାକରି କବର କରିଛନ୍ତି । ସୋ-ଓଙ୍କ ଇସାରାରେ ଲୋନ ଡ୍ରାଇଭରକୁ ଅଧିକ ପଚ଼ାରଉଚ଼ାର କରି ଗ୍ରାମକୁ ଯାଇ କବର ଦେଖିବାକୁ ଚାହିଁଥିଲେ ।ଇନ-ଦିନର ବୌଦ୍ଧ ଗ୍ରାମବାସୀ ବିନାଶଙ୍କାରେଲୋନ ଓ ସୋ-ଓଙ୍କ ସମ୍ମୁଖରେ ଘଟଣା ସଂପର୍କରେ ବର୍ଣ୍ଣନା କଲେ । ଇନ-ଦିନର ସାତ ହଜାର ଗ୍ରାମବାସୀଙ୍କ ମଧ୍ୟରୁ ହଜାରେ ବୌଦ୍ଧ ଧର୍ମାବଲମ୍ୱୀ ଏବଂ ଛଅ ହଜାର ରୋହିଙ୍ଗା ସଂପ୍ରଦାୟ ଅନ୍ତର୍ଭୁକ୍ତ । ହତ୍ୟାଘଟଣାପରେ ସମସ୍ତ ରୋହିଙ୍ଗା ଗ୍ରାମ ଛାଡ଼ି ଚାଲିଯାଇଥିଲେ । ହତ୍ୟାର ଶୀକାର ହୋଇଥିବା ଦଶ ଜଣ ବନ୍ଦୀଆଣ୍ଠୁମାଡ଼ି ବସିଥିବା ଫୋଟ ଗ୍ରାମବାସୀମାନେ ସ୍ମାର୍ଟଫୋନରେ ଉତ୍ତୋଳନ କରିଥିଲେ । ଲୋନ ଫୋଟଟି ଆଣିଲେ ।


 

ଲୋନ ଓ ସୋ-ଓ ଉପଦୃତଇଲାକାରେ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ଅପ୍ରତ୍ୟାଶିତ ଭାବେ ଭ୍ରମଣ କରିବା ଫଳରେ ହିଁ  ମୋଟର ସାଇକଲଟ୍ୟାକ୍ସି ଡ୍ରାଇଭରଠାରୁ ଇନ-ଦିନରେ ଦଶଜଣରୋହିଙ୍ଗାଙ୍କୁହତ୍ୟା କରି କବର ଦିଆଯାଇଥିବା ଖବର ପାଇଥିଲେ । ଏହି ଖବର ସହରାଞ୍ଚଳରେ ପହଞ୍ଚି ପାରିନଥିଲା । ଅତଏବ ସାମ୍ୱାଦିକମାନେ ଉପଦୃତ ଇଲାକା ବ୍ୟକ୍ତିଗତଭାବେ ଭ୍ରମଣ ବିନା ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ୱାଦର ଟେର ମଧ୍ୟ ପାଇନପାରିବା ସମ୍ଭବପର । ସାମ୍ୱାଦିକଦ୍ୱୟଙ୍କୁଡ୍ରାଇଭର ଓ ଗ୍ରାମବାସୀ ବିନା ଦ୍ୱିଧାରେ ହତ୍ୟା ସଂପର୍କୀତ ବିଶଦ ବିବରଣୀ ଜଣାଇଥିଲେ କାରଣ ସଭିଏଁ ରୋହିଙ୍ଗାମାନଙ୍କ ପ୍ରତି ବୀତସ୍ପୃହଥିଲେ ।


 

ସ୍ମାର୍ଟଫୋନର ବହୁଳ ବ୍ୟବହାର ହେତୁ ସମକାଳରେ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମର ଚ଼ିତ୍ର ଓ ଭିଡ଼ିଓ ଉତ୍ତୋଳନ ତଥ୍ୟ ସଂଗ୍ରହରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ସାମ୍ୱାଦିକଦ୍ୱୟ ଏଥିରୁ ଫାଇଦା ଉଠାଇ ହତ୍ୟା ସଂପର୍କୀତ ଅକାଟ୍ୟ ପ୍ରମାଣ ସଂଗ୍ରହ କରିପାରିଥିଲେ । ଫୋଟରେ ଚିତ୍ରିତ ବନ୍ଦୀଙ୍କ ସହ ସେନା କର୍ମଚାରୀମାନଙ୍କ ପରିଚ଼ୟ ଖୋଜି ବାହାର କରିବା ନିମନ୍ତେ ସାମ୍ୱାଦିକଦ୍ୱୟଫେସବୁକର ସହାୟତା ନେଇଥିଲେ । ମିଆଁମାରରେ ସୋସିଆଲ ମିଡ଼ିଆ ଫେସବୁକ ଲୋକପ୍ରିୟ ଥିବା ତଥା ଏଭଳି ମଞ୍ଚରେ ବହୁ ସଂଖ୍ୟକ ନାଗରିକ ଉପସ୍ଥିତ ଥିବା ହେତୁ କୌଣସି ବ୍ୟକ୍ତିବିଶେଷଙ୍କ ନାମ, ସାମାନ୍ୟ ସୂଚ଼ନା କିମ୍ୱା ଫୋଟଚିତ୍ରକୁ ଆଧାର କରି ସବିଶେଷ ତଥ୍ୟ ଖୋଜି ବାହାରକରିବା ସଂଭବପର ।


 

ଲୋନଇନ-ଦିନରେ ଦଶଜଣ ରୋହିଙ୍ଗାଙ୍କ ହତ୍ୟା ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ନିମନ୍ତେ ରେଙ୍ଗୁନର ଅଷ୍ଟମ ବାଟାଲିଅନପୋଲିସ କାର୍ଯ୍ୟାଳୟ ସହ ବରାବର ସଂପର୍କ ରଖିଥିଲେ । ବିଭିନ୍ନ ପୋଲିସକର୍ମଚ଼ାରୀଙ୍କୁସାକ୍ଷାତକରିଇନ-ଦିନ ଘଟଣା ସଂପର୍କରେ ପଚ଼ରାଉଚୁରା କରୁଥିଲେ । ପ୍ରକାଶ୍ୟରେଲୋନଙ୍କଏତାଦୃଶ ଅନୁସନ୍ଧାନ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଅସୁବିଧାରେ ପକାଇଥିଲା । ସରକାରୀ ଗୋପନୀୟତା ଆଇନ ବଳରେ ଲୋନ ଗିରଫ ହେବାପରେ ଅଦାଲତରେ ଜଣେ ପୋଲିସକର୍ମଚ଼ାରୀଙ୍କସ୍ୱୀକାରୋକ୍ତି ଅନୁଯାୟୀ ଅଷ୍ଟମବାଟାଲିଅନପୋଲିସ କାର୍ଯ୍ୟାଳୟର ବରିଷ୍ଠ କର୍ମକର୍ତ୍ତାଙ୍କ ନିର୍ଦ୍ଦେଶରେ ଲୋନଙ୍କୁଫସାଇ ଗିରଫ କରାଯିବା ନିମନ୍ତେ ଜାଲ ବିଛାଯାଇଥିଲା । ଅବଶ୍ୟ ପୋଲିସକର୍ମଚ଼ାରୀଙ୍କ ସହ ସଂପର୍କରକ୍ଷା କାର୍ଯ୍ୟକଳାପରେ ଲୋନ ଅଧିକ ସତର୍କତା ଅବଲମ୍ୱନ କରିବା ଉଚିତ ଥିଲା ।


 

ମିଆଁମାରରେ ଅଭିବ୍ୟକ୍ତିରେ ସ୍ୱାଧିନତା ଓ ଗଣମାଧ୍ୟମ କଣ୍ଠରୋଧ ନିମନ୍ତେ ଦୀର୍ଘକାଳର ପରମ୍ପରା ବଳବତ୍ତର ରହିଛି । ୧୯୪୮ରେ ବ୍ରିଟିଶ ଔପନିବେଶିକ ଶାସନରୁ ମୁକ୍ତ ହେବାପରେ ମିଆଁମାର ବା ବର୍ମାର ଶାସନଭାର ସେନାବାହିନୀ ହାତକୁ ଚାଲିଯାଇଥିଲା । ସମ୍ୱାଦପତ୍ର ପ୍ରକାଶିତ ହେବା ପୂର୍ବରୁ ସମସ୍ତ ସମ୍ୱାଦକୁସରକାରୀଭାବେଯାଞ୍ଚକରିବା ସାଙ୍ଗକୁ ୧୯୬୪ରୁ ଘରୋଇ ମାଲିକାନାରେ ସଂବାଦପତ୍ର ପ୍ରକାଶନକୁ ବାତିଲ କରାଯାଇଥିଲା । ଅର୍ଦ୍ଧଶତାଦ୍ଦୀ ପରେ ୨୦୧୨ରେ ସୀମିତ ମାତ୍ରରେ ଗଣତାନ୍ତ୍ରିକ ଶାସନର ପ୍ରତିଷ୍ଠା ପରେ ଏଭଳି କେତେକ ଗଣମାଧ୍ୟମ ଉତ୍ପୀଡ଼କ ନୀତିକୁ ପ୍ରତ୍ୟାହାର କରି ନିଆଯାଇଥିଲା । ତେବେ ୨୦୧୯ ସୁଦ୍ଧା ମିଆଁମାର ଶାସନରେ ପ୍ରଭୂତ କ୍ଷମତା ସେନାବାହିନୀ ଅଧୀନରେ ନିୟନ୍ତ୍ରିତ ହେଉଥିବା ହେତୁ ଗଣମାଧ୍ୟମର କଣ୍ଠରୋଧ ନିମନ୍ତେ ବହୁ ଉଦ୍ୟମର ଉଦାହରଣ ଦେଖିବାକୁ ମିଳିଥାଏ ।


 

ଲୋନଙ୍କଇନ-ଦିନ ଗଣହତ୍ୟା ସମ୍ୱାଦ ରଚନାରେ ସହକର୍ମୀ ସୋ-ଓ ଏବଂ ମିଆଁମାରରଏଟରବ୍ୟୁରୋମୁଖ୍ୟ ଆଣ୍ଟୋନୀ ସ୍ଳୋଯୋକ୍ସି ସହଯୋଗ କରିଥିଲେ । ସୋ–ଓ ଏବଂ ଲୋନ ୨୦୧୭ ଅକ୍ଟୋବରରେ ରାଖିନାପ୍ରଦେଶର ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳ ଭ୍ରମଣକାଳରେ ସାଙ୍ଗରେ ଥିଲେ ଏବଂ ଇନ-ଦିନ ସଂପର୍କରେ ମୋଟର ସାଇକଲ ଡ୍ରାଇଭରଠାରୁ ପ୍ରଥମେ ସୂଚ଼ନା ପାଇଥିଲେ । ସେହିପରି ୨୦୧୭ ଡ଼ିସେମ୍ୱରରେଲୋନପୋଲିସକର୍ମଚ଼ାରୀଙ୍କୁ ସାକ୍ଷାତ କରିବା ନିମନ୍ତେ ମିଆଁମାର ଉପକଣ୍ଠର ଅଷ୍ଟମ ବାଟାଲିଅନପୋଲିସକାର୍ଯ୍ୟାଳୟକୁ ଯିବାବେଳେ ଲୋନଙ୍କ ସହ ଉପସ୍ଥିତ ଥିଲେ ଏବଂ ଏହି କାରଣରୁ ସେ ମଧ୍ୟ ଗିରଫ ହୋଇଥିଲେ ।


 

ସୋ-ଓ ରାଖିନେ ପ୍ରଦେଶର ବାସିନ୍ଦା । ପାରମ୍ପରିକଭାବେ ତାଙ୍କରି ପରିବାର ବସ ଓ ବୋଟରେମାଲପରିବହନବ୍ୟବସାୟରେ ସଂପୃକ୍ତ । ତେବେ ସୋ-ଓ ବ୍ୟବସାୟ ବଦଳରେ ରାଷ୍ଟ୍ରନୀତି ଓ ଦର୍ଶନ ସଂପର୍କରେ ଆଗ୍ରହୀ ଥିଲେ । ପଢ଼ାପଢ଼ିରେ ଆଗ୍ରହ ତାଙ୍କୁ ସାମ୍ୱାଦିକତା ପ୍ରତି ଆକର୍ଷିତ କରିଥିଲା ଏବଂ ୨୦୧୬ରେ ରଏଟରରେଯୋଗଦେଇଥିଲେ । ଅଣ୍ଟୋନୀ ପୋଲାଣ୍ଡର ମୂଳ ବାସିନ୍ଦା । ସେ ୨୦୦୯ରେ ମିଆଁମାର ଆସିଥିଲେ । ଗତ ଶତାଦ୍ଦୀର ଅଷ୍ଟମ ଦଶକ ପ୍ରାରମ୍ଭରେ ପୋଲାଣ୍ଡ ଆନ୍ଦୋଳନ ବେଳେ ତାଙ୍କରି ପିତା ଅଣ୍ଡର-ଗ୍ରାଉଣ୍ଡ ସାମ୍ୱାଦିକଭାବେ କାର୍ଯ୍ୟକରି ପୋଲିସଦ୍ୱାରା ଗିରଫ ହୋଇ ଦେଢ଼ବର୍ଷ କାରାବାସ କଟାଇଥିଲେ । ଉଭୟ ସୋ-ଓ ଏବଂ ଆଣ୍ଟୋନୀ ଲୋନଙ୍କୁଇନ-ଦିନ ରୋହିଙ୍ଗାଗଣହତ୍ୟା ସଂପର୍କରେ ସମ୍ୱାଦ ରଚନା ନିମନ୍ତେ ସହାୟତା ଯୋଗାଇଥିଲେ । ଉଚ୍ଚମାନର ସାମ୍ୱାଦିକତା ନିମନ୍ତେ ସହକର୍ମୀ ଓ ଉପରିସ୍ଥ ଅଧିକାରୀଙ୍କ ସମର୍ଥନ ଆବଶ୍ୟକ ପଡ଼ିଥାଏ । ବାହ୍ୟ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷରତସାମ୍ୱାଦିକକୁ ସୃଜନ ନିମନ୍ତେ ନିଜ କାର୍ଯ୍ୟାଳୟରୁ ପ୍ରୋତ୍ସାହନ ଓ ସହଯୋଗ ନମିଳିଲେ ଅଗ୍ରଗତି କରିବା କଷ୍ଟସାଧ୍ୟ ହୋଇପଡ଼େ ।


 

ଲୋନଙ୍କୁପୋଲିସ ଗିରଫ କରିବାପରେ ବିଚାରଧୀନ ଅବସ୍ଥାରେ ଦୀର୍ଘକାଳ ବିତାଇବାକୁ ପଡିଥିଲା । ଲୋନଙ୍କକହିବାପ୍ରକାରେପୋଲିସଇନ-ଦିନ ଘଟଣା ସଂପର୍କରେ ସମ୍ୱାଦ ପ୍ରକାଶନରୁ କ୍ଷାନ୍ତ ରହିବା ନିମନ୍ତେ ପ୍ରବର୍ତ୍ତାଇଥିଲେ । ଏହି ସମ୍ୱାଦଟିର ପ୍ରକାଶନ ବନ୍ଦ କଲେ ପ୍ରତିବଦଳରେଲୋନଙ୍କ ବିରୁଦ୍ଧରେ ଅଭିଯୋଗକୁ ଦୁର୍ବଳ କରାଇ ମକଦ୍ଦମାରୁ କ୍ଷାନ୍ତ ରଖିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଲୋନଇନ-ଦିନ ସମ୍ୱାଦ ପ୍ରକାଶନ ଉପରେ ଗୁରୁତ୍ୱ ଜାରୀ ରଖିଥିଲେ ଏବଂ ତାଙ୍କରି ଗିରଫପରେ ସହକର୍ମୀମାନଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ରଚନାଟି ୮ ଫେବୃୟାରୀ ୨୦୧୮ରେ ପ୍ରକାଶିତ ହୋଇଥିଲା ।


 

ଲୋନଙ୍କୁପୋଲିସ ଗିରଫ କରିବା ବେଳକୁ ତାଙ୍କରି ପତ୍ନୀ ଗର୍ଭବତୀ ଥିଲେ । ଲୋନଙ୍କୁପୋଲିସ କବଳରୁ ମୁକ୍ତ କରାଇବା ନିମନ୍ତେ ବ୍ୟାକୁଳତାରେଇନ-ଦିନ ସଂପର୍କୀତ ସମ୍ୱାଦ ପ୍ରକାଶନ ବନ୍ଦ କରାଇବା ନିମନ୍ତେ ବୀନତି କରିଥିଲେ । ଲୋନ ଏଥିରେ ରାଜି ନହେବାରୁ ଏକଦା ଲୋନଙ୍କୁସ୍ୱର୍ଥପର ଏବଂ ପତ୍ନୀ କିମ୍ୱା ଭାବୀ ସନ୍ତାନ ସଂପର୍କରେ ଯତ୍ନବାନ ନଥିବା ଆରୋପ ଆଣି କାରାଗାରରେ ଲୋନଙ୍କୁ ସାକ୍ଷାତ ନକରିବା ନିମନ୍ତେ ଠିକ୍ କରିନେଇଥିଲେ । ତେବେ ପରଦିନ ନିଜର ମନୋଭାବ ବଦଳାଇ ପୂର୍ବବତ ବନ୍ଦୀ ଲୋନଙ୍କୁ ସାକ୍ଷାତ କରିବା ନିମନ୍ତେ ଯାଇଥିଲେ । ସାମ୍ୱାଦିକଙ୍କୁବୃତ୍ତିଗତ ଦାୟିତ୍ୱ ତୁଲାଇବା ଅବସରରେ ବ୍ୟକ୍ତିଗତ ଜୀବନର ପ୍ରଭାବ ଏହି ଘଟଣାରୁ ବେଶ ବାରି ହୁଏ ।


 

ଲୋନ ଓ ସୋ-ଓଙ୍କ ଗିରଫଦାରୀ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ସେନାବାହିନୀଦ୍ୱାରାମାନବଧିକାର ଉଲଂଘନ ସଂପର୍କୀତ ସମ୍ୱାଦ ପ୍ରକାଶନ ନିମନ୍ତେ ସାମ୍ୱାଦିକମାନଙ୍କୁ କାରାଦଣ୍ଡ ବିରୁଦ୍ଧରେ ବହୁ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ସ୍ୱର ଉତ୍ତୋଳନ କରିଥିଲେ । ତେବେ ପୋଲିସ ରାଗ ସୁଝାଇବା ନିମନ୍ତେ ସାମ୍ୱାଦିକଙ୍କୁ ନିଜ କାର୍ଯ୍ୟାଳୟକୁ ନିମନ୍ତ୍ରଣ କରି କିଛି ଗୋପନୀୟ କାଗଜପତ୍ର ହାତରେ ଧରାଇ ଆଗରୁ ଯୋଜନମୁତାବକ ଛପି ରହିଥିବା ପୋଲିସ ଦ୍ୱାରା ଗିରଫ କରାଇବା ଘଟଣା ସର୍ବଜନବିଦିତ ହେଲେ ହେଁ ଅଦାଲତର ବିଚ଼ାର ପ୍ରକ୍ରିୟାକୁ ପ୍ରଭାବିତ କରିପାରିନଥିଲା । ଏପରିକି ପୋଲିସର ଚକ୍ରାନ୍ତ ସଂପର୍କରେ ଖୋଦ ଅନ୍ୟଜଣେପୋଲିସ କର୍ମଚାରୀ ଅଦାଲତରେ ବୟାନ ଦେଇଥିବା ସ୍ଥଳେ ତାହା ଗୃହୀତ ନହୋଇ ସଂପୃକ୍ତ କର୍ମଚାରୀଙ୍କୁ ଚ଼ାରିତ୍ରିକ ଆକ୍ଷେପରେ ବର୍ଷେ ଜେଲଦଣ୍ଡ ଦିଆଯାଇଥିଲା । ଅମଳାତାନ୍ତ୍ରିକ ଓ ଅଦାଲତି ପ୍ରକ୍ରିୟା ବାସ୍ତବିକତାଠାରୁକିପରି ଦୂରେଇ ଯାଏ ଏଥିରୁ ସୁସ୍ପଷ୍ଟ ।


 

ଇନ-ଦିନ ଘଟଣା ଆନ୍ତର୍ଜାତିକସ୍ତରରେ ହୁଲସ୍ତୁଲକରିବାପରେ ୧୧ ଏପ୍ରିଲ ୨୦୧୮ରେ ମିଆଁମାରସେନାବାହିନୀ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଇନ-ଦିନରେ ସେନାର ମାନବିକ ଅଧିକାର ଉଲଂଘନ ନିମନ୍ତେ ସାତଜଣ ସେନାକର୍ମଚ଼ାରୀଙ୍କୁ ଦଶବର୍ଷ ସଶ୍ରମ ଜେଲଦଣ୍ଡ ଦିଆଯାଇଛି । ତେବେ ଲୋନ ଅଦାଲତ ବାରଣ୍ଡାରେ ପ୍ରଶ୍ନ କରିଥିଲେ ଅପରାଧ ସଂପର୍କରେ ସେନାବାହିନୀ ମାନି ନେଉଥିବା ଓ ସଂପୃକ୍ତ ସେନାକର୍ମଚାରୀଙ୍କୁ ଦଣ୍ଡିତ କରାଯାଉଥିବା ସ୍ଥଳେ ସେହି ସମ୍ୱାଦ ଲୋକଲୋଚନକୁ ଆଣିଥିବା ସାମ୍ୱାଦିକଙ୍କୁଅନ୍ୟ ଅଭିଯୋଗରେ ଜଡ଼ିତକରାଇ କିପରି ଦଣ୍ଡିତ କରାଯାଉଛି ?


 

ମିଆଁମାରରେ ପାରମ୍ପରିକ ନବବର୍ଷ ପାଳନ ଅବସରରେ ପ୍ରଶାସନର ଅନୁମୋଦନରେ ରାଷ୍ଟ୍ରପତି କିଛି ବନ୍ଦୀଙ୍କୁ କ୍ଷମାଦେଇ ମୁକ୍ତ କରିଥାନ୍ତି । ଲୋନ ଓ ସୋ-ଓଙ୍କୁ ସାତବର୍ଷ ଜେଲଦଣ୍ଡ ତଥା ହାଇକୋର୍ଟ ଓ ସୁପ୍ରିମକୋର୍ଟ ଦଣ୍ଡାଦେଶରେ ହସ୍ତକ୍ଷେପ କରିବା ନିମନ୍ତେ ମନା କରିଦେବାପରେ ଉଭୟ ସାମ୍ୱାଦିକଙ୍କ ପତ୍ନୀ ନିଜ ସ୍ୱାମୀଙ୍କୁ କାରାଗାରରୁ ମୁକ୍ତ କରାଗଲେ ସେମାନଙ୍କ ପାରିବାରିକ ଜୀବନ ସୁଖମୟ ହେବ ବୋଲି  ଆବେଦନ ଦାଖଲ କରିଥିଲେ । ଏପ୍ରିଲ ୨୦୧୯ରୁ ଆରମ୍ଭ ହୋଇଥିବା ମିଆଁମାରନବବର୍ଷ ପାଳନ ଉପଲକ୍ଷେ ଦେଶର କାରାଗାରଗୁଡ଼ିକରୁ ୬,୫୨୦ ଜଣ ବନ୍ଦୀଙ୍କୁ କାରାଦଣ୍ଡ କ୍ଷମା କରାଯାଇ ମୁକ୍ତି ଦିଆଯାଇଥିଲା । ସେଥିରେ ଲୋନ ଓ ସୋ-ଓ ଅନ୍ତର୍ଭୁକ୍ତଥିଲେ ।


 

ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ଆଙ୍ଗ ସାନ ସୁ କୀ ୨୦୧୫ରୁ ମିଆଁମାରର ପ୍ରଧାନମନ୍ତ୍ରୀରୂପେ ଅବସ୍ଥାପିତ । ତେବେ ସାମ୍ୱାଦିକଦ୍ୱୟଙ୍କ ମକଦ୍ଦମା ସୁପ୍ରିମ କୋର୍ଟରେ ଖାରଜ ନହେବା ପର୍ଯ୍ୟନ୍ତ ହସ୍ତକ୍ଷେପ କରିପାରି ନଥିଲେ । ସୁପ୍ରିମକୋର୍ଟର ଚୁଡାନ୍ତ ରାୟପରେ ହିଁ ରାଷ୍ଟ୍ରପତିଙ୍କ କ୍ଷମା ଯୋଜନା ମିଆଁମାରରଏଟରରେଅବସ୍ଥାପିତ ଦୁଇ ସାମ୍ୱାଦିକଙ୍କୁ କାରାଦଣ୍ଡରୁ ମୁକ୍ତ କରାଇପାରିଥିଲା ।  

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୪ ମେ ୨୦୧୯


ତଥ୍ୟ:



Lasseter, Tom. Dangerous News:How two young reporters shook Myanmar.Reuters. August 8, 2018 



<https://www.reuters.com/investigates/special-report/myanmar-reporters-democracy-specialre/special-report-news-how-two-young-reporters-shook-myanmar-idUSKBN1KT1AD>

ଯୁଦ୍ଧ ପ୍ରଭାବିତ ୟୁକ୍ରେନ ସାମ୍ୱାଦିକତା

ୟୁକ୍ରେନରେ ୨୦୨୨ ଫେବୃୟାରୀ ଶେଷ ସପ୍ତାହରେ ଯୁଦ୍ଧଜନିତ ପରିସ୍ଥିତି ସୃଷ୍ଟିର ପ୍ରାଥମିକ ଅବସ୍ଥାରେ ସ୍ଥାନୀୟ ସାମ୍ୱାଦିକତାର ସ୍ଥିତାବସ୍ଥା ଅନୁଶୀଳନ ସମକାଳ ଗଣମାଧ୍ୟମ ମୂଲ୍ୟାୟନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ୟୁକ୍ରେନକୁ ସମ୍ଭାବ୍ୟ ଆକ୍ରମଣ ଦୀର୍ଘ ସମୟ ପୂର୍ବରୁ ଆକଳନ କରାଯାଉଥିଲା । ତେଣୁ ସେଠାକାର ସମ୍ୱାଦ ମଞ୍ଚଗୁଡ଼ିକ ଜରୁରି ପରିସ୍ଥିତି ସମ୍ମୁଖୀନ ହେବା ନିମନ୍ତେ ପୂର୍ବରୁ ପ୍ରସ୍ତୁତ ଥିଲେ ବୋଲି କୁହାଯାଇପାରେ । ଫଳରେ ଯୁଦ୍ଧ ଆରମ୍ଭ ହୋଇଯିବାପରେ ସୃଷ୍ଟ ସାମାଜିକ ଅସ୍ଥିରତାର ସଫଳ ମୁକାବିଲା କରି ନିଜ ନିଜ ପ୍ରକାଶନ ଜାରି ରଖିପାରିଥିଲେ ।


 

ୟୁକ୍ରେନରେ ପାରମ୍ପରିକ ଗଣମାଧ୍ୟମ ଆଙ୍ଗିକ ସୋଭିଏତ ଋଷରୁ ବିଚ୍ଛିନ୍ନ ହୋଇ ୧୯୯୧ରେ ଗଣତାନ୍ତ୍ରିକ ଶାସନ ପଦ୍ଧତି ପ୍ରଚଳନ ପରେ ସରକାରଙ୍କ କର୍ତ୍ତୃତ୍ୱରୁ କ୍ରମଶଃ ବେସରକାରୀ ମାଲିକାନାକୁ ପ୍ରବର୍ତ୍ତିତ ହୋଇଥିଲା । ସ୍ଥୁଳ ଦୃଷ୍ଟିରେ ବହୁଳ ପ୍ରସାରିତ ମଞ୍ଚଗୁଡ଼ିକ ବିତ୍ତଶାଳୀ ବ୍ୟବସାୟୀ ଓ ରାଜନୀତିକ ନେତୃବର୍ଗଙ୍କ ଦ୍ୱାରା ପରିଚାଳିତ ହେଉଥିବା ସ୍ଥଳେ ସୀମିତ ପ୍ରସାରିତ ବହୁ ସଂଖ୍ୟକ ସମ୍ୱାଦ ମଞ୍ଚ ମୁକ୍ତ ସାମ୍ୱାଦିକ ‘ଇଣ୍ଡିପେଣ୍ଡେଣ୍ଟ ଜର୍ଣ୍ଣାଲିଷ୍ଟ’ ଓ ଅଣ-ବ୍ୟବସାୟିକ ‘ନନ-ପ୍ରଫିଟ’ ଧାରାରେ ପ୍ରକାଶିତ ।


 

ସାଧାରଣତଃ ଯୁଦ୍ଧ ଅବସରରେ ଶତୃପକ୍ଷ ଅଭିସନ୍ଧିମୂଳକ ‘କନସ୍ପିରେସି’ ସମ୍ୱାଦ ପ୍ରସାରଣରେ ସଂପୃକ୍ତ ହୋଇଥାଏ । ଐତିହାସିକସ୍ତରରୁ ଏହି ପ୍ରଥା ଲାଗିରହିଛି ଏବଂ ଆଧୁନିକ ପରିବେଶରେ ଭର୍ଚୁଆଲ ମିଡ଼ିଆର ବ୍ୟାପ୍ତିପରେ ଅସତ୍ୟ, ଅତିରଞ୍ଜିତ ସମ୍ୱାଦ ପ୍ରସାର ସହଜ ହୋଇପାରିଛି । ସୈନ୍ୟବଳ ପ୍ରୟୋଗରେ ଆକ୍ରମଣ କରିବା ପୂର୍ବରୁ ଉଦ୍ଦେଶ୍ୟ ପ୍ରଣୋଦିତ ସମ୍ୱାଦ ପ୍ରସାରଣରେ ପ୍ରତିପକ୍ଷ ନାଗରିକଙ୍କ ମନୋବଳ ଦୁର୍ବଳ କରିବା ନିମନ୍ତେ ପ୍ରଚ଼େଷ୍ଟା ଜାରି ରହେ ।


 

ୟୁକ୍ରେନ ସମ୍ୱାଦ ମଞ୍ଚଗୁଡ଼ିକ ଶତୃପକ୍ଷ ପ୍ରଚାର ଓ ଗୁଜବ ପ୍ରତିହତ କରିବା ନିମନ୍ତେ ଆନୁଷ୍ଠାନିକ ଓ ସାମୂହିକସ୍ତରରେ ନୀତିଗତ ନିଷ୍ପତ୍ତି ଆକ୍ରମଣ ପୂର୍ବରୁ ଗ୍ରହଣ କରିସାରିଥିଲେ । ଉଦାହରଣରେ ଷ୍ଟାରଲାଇଟ ମିଡ଼ିଆ, ମିଡ଼ିଆ ଗୃପ ୟୁକ୍ରେନ, ଇଣ୍ଟର-ମିଡ଼ିଆ ଗୃପ ଓ ୱାନ-ପ୍ଳସ-ୱାନ ମିଡ଼ିଆ ଟେଲିଭିଜନ ମଞ୍ଚ ପକ୍ଷରୁ ସମ୍ୱାଦ ପ୍ରସାରଣ କ୍ଷେତ୍ରରେ ଏକକ ନୀତି ନିର୍ଦ୍ଧାରଣ କରି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ମିଳିତ ଘୋଷଣାନାମା ଜାରି କରିଥିଲେ । ସେମାନେ କ୍ରମାଗତ ସମ୍ୱାଦ ପ୍ରସାରଣ ଜାରି ରଖି ବିଜ୍ଞାପନ ବିରତି ବନ୍ଦ କରିଦେଇଥିଲେ ।


 

ବିବୃତିରେ କୁହାଯାଇଥିଲା ଯେ ୟୁକ୍ରେନ ସମ୍ୱାଦ ପ୍ରସାରଣ ପରିଧିକୁ ସୁରକ୍ଷିତ ରଖିବା ନିମନ୍ତେ ଟେଲିଭିଜନ ମଞ୍ଚଗୁଡ଼ିକ ବଦ୍ଧପରିକର । ଜନସାଧାରଣ କିଭଳି ସର୍ବଶେଷ ଘଟଣାବଳୀ ସଂପର୍କୀତ ସମ୍ୱାଦ ତତ୍ କ୍ଷଣାତ ଅବଗତ ହୋଇପାରିବେ ସେହି ଦିଗରେ ମିଳିତଭାବେ ଉଦ୍ୟମ କରିବେ । ପର୍ଯ୍ୟାପ୍ତ ସଂଖ୍ୟକ ୟୁକ୍ରେନ ନାଗରିକ ଶ୍ରମ ନିଯୁକ୍ତି ଇତ୍ୟାଦି କାରଣରୁ ପଡ଼ୋଶୀ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ବସବାସ କରୁଥିବା ହେତୁ ସ୍ଥାନୀୟ ଅଧିବାସୀଙ୍କ ସାଙ୍ଗକୁ ଦେଶାନ୍ତର ନାଗରିକଙ୍କ ମଧ୍ୟରେ ଟେଲିଭିଜନ ଓ ଇଣ୍ଟରନେଟ ଯୋଗେ ସମ୍ୱାଦ ପ୍ରସାରଣ ଗୁରୁତ୍ୱ ବହନ କରିଥାଏ ।


 

ୟୁକ୍ରେନର ଚର୍ଚ୍ଚିତ ଇଂଲିଶ ଡ଼ିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟରେ ‘କିଭ ପୋଷ୍ଟ’ ଅନ୍ୟତମ । ୟୁକ୍ରେନର ରାଜଧାନୀ କିଭଠାରେ ୧୯୯୫ରୁ ପ୍ରକାଶନ ଆରମ୍ଭ କରିଥିବା ‘କିଭ ପୋଷ୍ଟ’ର ମୁଦ୍ରିତ ସଂସ୍କରଣ ୧୯୯୭ରେ ଡ଼ିଜିଟାଲ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଏହି ସମ୍ୱାଦ ପ୍ରତିଷ୍ଠାନରେ ୨୦୨୦ ସୁଦ୍ଧା ୫୦ ଜଣ କର୍ମଚାରୀ ନିଯୁକ୍ତ ହୋଇଥିବା ଜଣାଯାଏ । ଏହାର ମାଲିକାନା ଧନାଢ୍ୟ ବ୍ୟବସାୟୀଙ୍କ ମଧ୍ୟରେ ବାରମ୍ୱାର ପରିବର୍ତ୍ତିତ ହୋଇଛି ଏବଂ ୨୦୨୨ରେ ଜଣେ ସିରିଆର ବ୍ୟବସାୟୀଙ୍କ ସମ୍ପତ୍ତି । ‘କିଭ ପୋଷ୍ଟ’ର ଡ଼ିଜିଟାଲ ମଞ୍ଚ ଅନବରତ ଉନ୍ନୀତ ‘ଅପଡେଟ’ ହୋଇଥାଏ । ମୁଦ୍ରିତ ସଂସ୍କରଣ ସାପ୍ତାହିକ ଆକାରରେ ଶୁକ୍ରବାର ଦିନ ପ୍ରକାଶିତ ହୁଏ ।


 

‘କିଭ ପୋଷ୍ଟ’ର ମୁଖ୍ୟ ସମ୍ପାଦକ ଯୁଦ୍ଧ ଆରମ୍ଭ ଅବସରରେ ମାର୍କିନ ସମ୍ୱାଦ ମଞ୍ଚ ‘ସିଏନଏନ’କୁ ଟେଲିଫୋନ ଯୋଗେ ସାକ୍ଷାତକାର ଦେଇ କହିଥିଲେ ଯେ ଶତୃପକ୍ଷ ଆକ୍ରମଣର ସପ୍ତାହକ ପୂର୍ବରୁ ମଞ୍ଚର କାର୍ଯ୍ୟାଳୟ କ୍ରମଶଃ ବନ୍ଦ କରିଦିଆଯାଇଥିଲା । କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ନିଜ ବାସଗୃହରୁ ସମ୍ୱାଦ ପ୍ରଯୋଜନା ପ୍ରକ୍ରିୟାରେ ସାମିଲ ହେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ରାଜଧାନୀ କିଭ ଉପରେ ସମ୍ଭାବ୍ୟ ଆକ୍ରମଣରୁ ବର୍ତ୍ତିବା ନିମନ୍ତେ ଅନ୍ୟ ନାଗରିକଙ୍କ ଭଳି ସାମ୍ୱାଦିକମାନେ ସହର ଛାଡ଼ି ଗ୍ରାମାଞ୍ଚଳ ବା ଦେଶାନ୍ତର ପ୍ରଳାୟନ କରିଥିଲେ । ତେବେ ଅନଲାଇନରେ ସମସ୍ତେ ଏକଯୁଟ ହୋଇ ଡିଜିଟାଲ ମଞ୍ଚରେ କିପରି ସମ୍ୱାଦ ପ୍ରକାଶିତ ହୋଇପାରିବ ସେଦିଗରେ ତତ୍ପର ରହିଥିଲେ ।


 

ଯୁଦ୍ଧର ପ୍ରଥମ ସପ୍ତାହରେ ପ୍ରତିଦିନ ‘କିଭ ପୋଷ୍ଟ’ର ଡିଜିଟାଲ ମଞ୍ଚରେ ପଚ଼ିଶରୁ ତିରିଶି ଖଣ୍ଡ ଯାଏଁ ନୂତନ ସମ୍ୱାଦ ପ୍ରକାଶିତ ହେଉଥିଲା । ଯୁଦ୍ଧ ଆରମ୍ଭ ମାତ୍ରେ ସମ୍ୱାଦ ମଞ୍ଚକୁ ଅକାମୀ କରିଦେବା ନିମନ୍ତେ ଉଦ୍ୟମ କରାଯାଇଥିଲା । ହଠାତ ୱେବ ସାଇଟରେ ବହୁ ସଂଖ୍ୟକ ହିଟ ହେବା ଫଳରେ ସର୍ଭର ଡ଼ାଉନ ହୋଇଯାଇଥିଲା । ସେହି ବିପଦକୁ ଟାଳିବା ନିମନ୍ତେ ‘କିଭ ପୋଷ୍ଟ’ ପକ୍ଷରୁ ଫେସବୁକ, ଟୁଇଟର ଓ ଲିଙ୍କଡ଼-ଇନ ସୋସିଆଲ ମିଡ଼ିଆ ମଞ୍ଚରେ ସଂକ୍ଷିପ୍ତ ସମ୍ୱାଦମାନ ପ୍ରକାଶନର ବ୍ୟବସ୍ଥା କରାଯାଇଥିଲା ।


 

ସମ୍ୱାଦ ପ୍ରକାଶନ ଜାରି ରଖିବା ସଙ୍ଗେ ସାମ୍ୱାଦିକମାନେ କିପରି ସୁରକ୍ଷିତଭାବେ କାର୍ଯ୍ୟଭାର ସମ୍ଭାଳି ପାରିବେ ସେହି ଦିଗରେ ରଣନୀତି ପ୍ରସ୍ତୁତ କରାଯାଇଥିବା ‘କିଭ ପୋଷ୍ଟ’ର ସମ୍ପାଦକ ବର୍ଣ୍ଣନା କରିଥିଲେ । ସାମ୍ୱାଦିକମାନଙ୍କୁ ସମ୍ୱାଦ ପ୍ରକାଶନ କାଳରେ ନିଜର ନାମ ପ୍ରକାଶ ନକରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । କାରଣ ଘଟଣାଚ଼କ୍ରରେ ଯଦି କିଛି କାଳ ଶତୃପକ୍ଷ ରାଜଧାନୀ ଅକ୍ତିଆର କରିପାରନ୍ତି ତେବେ ସାମ୍ୱାଦିକମାନଙ୍କୁ ଚ଼ିହ୍ନଟ କରି ଆକ୍ରମଣ କରିବା ସମ୍ଭାବନା ଅଧିକ । ତେଣୁ ସାମ୍ୱାଦିକମାନେ କିପରି ଆତ୍ମଗୋପନ କରି ସମ୍ୱାଦ ପରିବେଷଣ ଚାଲୁ ରଖିବେ ସେହି ଦିଗରେ ଦୀର୍ଘ ମିଆଦୀ ଯୋଜନା ଉପଯୋଗ ହୋଇଥିଲା ।


 

ୟୁକ୍ରେନ ଯୁଦ୍ଧର ପ୍ରାଥମିକ ଅବସ୍ଥାରେ ସମ୍ୱାଦ ମଞ୍ଚଗୁଡ଼ିକର ଆଭିମୁଖ୍ୟରେ ପରିପକ୍ୱତା ସୂଚିତ କରିଥାଏ । ପାରସ୍ପରିକ ପ୍ରତିଯୋଗିତା ଭୁଲି ବିଭିନ୍ନ ପ୍ରକାଶନ ସଂସ୍ଥା ଏକକ ସମ୍ପାଦକୀୟ ନୀତି ପ୍ରଣୟନ ତଥା ବିଶ୍ୱସନୀୟ ସମ୍ୱାଦ ପ୍ରସାରଣ ଜାରି ରଖିପାରିବା ହେତୁ ୟୁକ୍ରେନବାସୀ ସଚ଼େତ ନିଷ୍ପତ୍ତି ‘ଇନଫରମଡ଼ ଡ଼େସିସେନ’ ଗ୍ରହଣ ନିମନ୍ତେ ପ୍ରଶସ୍ତ ପଥ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିଥିଲେ । ଯୁଦ୍ଧ ଆରମ୍ଭର ପ୍ରଥମ ସପ୍ତାହରେ ସ୍ୱଚ୍ଛ ସମ୍ୱାଦ ପ୍ରସାରଣ ଜାରି ରହିବା ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ଜାତୀୟବାଦୀ ମନୋଭାବ ସୁଦୃଢ଼ ହୋଇଥିବା ପରିଲକ୍ଷିତ ହୋଇଥିଲା । ସୃଷ୍ଟ ଗଣମାଧ୍ୟମ ପରିବେଶ ଦେଶବାସୀଙ୍କୁ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ସୈନିକ ଭାବେ ଯୋଗ ଦେବା ନିମନ୍ତେ ପ୍ରବର୍ତ୍ତାଇବାରେ ସହାୟକ ହୋଇଥିବା ବିଶ୍ୱାସ କରାଯାଇପାରେ ।


 

ୟୁକ୍ରେନର ଗଣମାଧ୍ୟମ ଧାରା ଊଣାଅଧିକେ ଆମ ଦେଶ ତଥା ରାଜ୍ୟରେ ସମକାଳରେ ପ୍ରତିଫଳିତ । ଏଠାରେ ମଧ୍ୟ ବହୁଳ ପ୍ରସାରିତ ସମ୍ୱାଦ ମଞ୍ଚଗୁଡ଼ିକ ବିତ୍ତଶାଳୀ ବ୍ୟବସାୟୀ ଓ ରାଜନୀତିକ ନେତୃବର୍ଗଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ମୁକ୍ତ ସାମ୍ୱାଦିକତା ପରିପୃଷ୍ଟ ପ୍ରକାଶନଗୁଡ଼ିକର ପ୍ରସାର ସୀମିତ ଓ ସଂଖ୍ୟା ଅଧିକ । ୟୁକ୍ରେନରେ ଇଣ୍ଟରନେଟ ସଂଯୁକ୍ତି ପ୍ରାୟ ୫୦ ପ୍ରତିଶତ । ସେଠାକାର ସମ୍ୱାଦ ମଞ୍ଚଗୁଡ଼ିକ ବିଜ୍ଞାପନ ଓ ପ୍ରାୟୋଜିତ ସମ୍ୱାଦ ‘ପେଡ଼ ନ୍ୟୂଜ’, ‘ଏଡ଼ଭଟୋରିଆଲ’ ସମୃଦ୍ଧ । ପାଠକମାନେ ଡ଼ିଜିଟାଲ ମଞ୍ଚ ପ୍ରାୟତଃ ମାଗଣା ବ୍ୟବହାର କରନ୍ତି । ଅବଶ୍ୟ ଟେଲିଭିଜନ ଓ ଡ଼ିଜିଟାଲ ମଞ୍ଚ ପରକୁ ସମ୍ୱାଦ ଆହରଣ ନିମନ୍ତେ ମୁଦ୍ରଣ ମଞ୍ଚର ସ୍ଥାନ । ୟୁକ୍ରେନର ସମ୍ୱାଦ ମଞ୍ଚଗୁଡ଼ିକ ଇଣ୍ଟରନେଟଭିତ୍ତିକ ହୋଇ ସାରିଥିବା ହେତୁ ଯୁଦ୍ଧ ପ୍ରଭାବିତ ପରିବେଶ ପ୍ରାଥମିକସ୍ତରରେ ସମ୍ୱାଦ ସରବରାହରେ ବ୍ୟାଘାତ ସୃଷ୍ଟି କରିପାରିନଥିଲା ।   

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୪ ମାର୍ଚ୍ଚ ୨୦୨୨


ତଥ୍ୟ:



Daray, Oliver. Inside Kyiv Post. CNN Business. Reliable Sources. February 25, 2022


 

https://www.kyivpost.com

ଆଫଗାନିସ୍ତାନରେ ନିହତ ଭାରତୀୟ ସାମ୍ୱାଦିକ

ଆଫଗାନିସ୍ତାନରେ ତାଲିବାନ ଆକ୍ରମଣକୁ ସ୍ଥାନୀୟ ସେନାର ପ୍ରତିରୋଧ ଅବସରରେ ସଶସ୍ତ୍ର ଯୁଦ୍ଧ କାଳରେ ଉପଦ୍ରୁତ ଇଲକାରେ ଉପସ୍ଥିତ ଭାରତୀୟ ସାମ୍ୱାଦିକ ଦାନିଶ ସିଦ୍ଦିକି ୧୬ ଜୁଲାଇ ୨୦୨୧ରେ ନିହତ ହୋଇଥିଲେ । ସିଦ୍ଦିକି ଆନ୍ତର୍ଜାତିକ ସମ୍ୱାଦ ସରବରାହ ସଂସ୍ଥା ରଏଟରର୍ସର ଭାରତରେ ମୁଖ୍ୟ ଫୋଟୋଗ୍ରାଫର ଭାବେ ଅବସ୍ଥାପିତ ଥିଲେ । ଆଫଗାନିସ୍ତାନରେ ଘମାଘୋଟ ଯୁଦ୍ଧ ଆରମ୍ଭ ହେବା ମାତ୍ର ପାଞ୍ଚ ଦିନ ଆଗରୁ ସେ କାନ୍ଦାହାର ପହଞ୍ଚିଥିଲେ ।


 

ସିଦ୍ଦିକି ଆଫଗାନ ସ୍ପେଶାଲ ଫୋର୍ସ ହେପାଜାତରେ ଯୁଦ୍ଧ କ୍ଷେତ୍ରରେ ଚ଼ିତ୍ରୋତ୍ତଳନ କରୁଥିଲେ । ତାଙ୍କରି କ୍ଷତାକ୍ତ ମୃତଶରୀର ତାଲିବାନ କବଜାରୁ ଉଦ୍ଧାର ପରେ ରକେଟ ବିସ୍ପୋରଣରେ ଆହତ ସିଦ୍ଦିକି ଏବଂ ତାଙ୍କସହ ଥିବା ଜଣେ ମେଜର ଓ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ନୃସଂସ ଭାବେ ହତ୍ୟା କରାଯାଇଥିବା ଆଫଗାନ ସେନା ପକ୍ଷରୁ ଆଶଙ୍କା ପ୍ରକାଶ ପାଇଥିଲା । ତେବେ ତାଲିବାନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା ।


 

ଜଣେ ଭାରତୀୟ ସାମ୍ୱାଦିକ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଥିବା ଖବର ତାଲିବାନ ସେନାଙ୍କ ନିକଟରେ ନଥିଲା । ସ୍ୱାଭାବିକଭାବେ ଉଭୟପକ୍ଷର ଗୁଳିଚାଳନାରେ ସାମ୍ୱାଦିକଙ୍କ ସହ ଦୁଇ ଆଫଗାନ ସୈନ୍ୟଙ୍କ ମୃତଶରୀର ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ସିଦ୍ଦିକି ପିନ୍ଧିଥିବା ଜାକେଟରୁ ସେ ଜଣେ ସାମ୍ୱାଦିକ ବୋଲି ଚ଼ିହ୍ନଟ ହୋଇଥିବା ତାଲିବାନ ପକ୍ଷରୁ ସୂଚନା ଦିଆଯାଇଥିଲା ।


 

ସିଦ୍ଦିକି ଆହତ ହେବା ଯାଏଁ ମୋବାଇଲଫୋନ ଯୋଗେ ରଏଟର୍ସ ସହକର୍ମ୍ମୀଙ୍କ ସହ ସଂପର୍କରେ ଥିଲେ । ତାଙ୍କରି ସଙ୍ଗରେ ଆଫଗାନ ସୈନିକମାନେ ଉପସ୍ଥିତ ଥିବା ପ୍ରମାଣ ରହିଥିଲା । ତେବେ ଶେଷ ମୂହୁର୍ତ୍ତଗୁଡ଼ିକର ଘଟଣାକ୍ରମ ଅସ୍ପଷ୍ଟ । ରଏଟରର୍ସ ପକ୍ଷରୁ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରାଯାଇ ଏକ ସ୍ପେଶାଲ ରିପୋର୍ଟ ନିଜ ୱେବସାଇଟରେ ୨୩ ଅଗଷ୍ଟ ୨୦୨୧ରେ ପ୍ରକାଶ କରିଥିଲେ ।


 

ଆଫଗାନିସ୍ତାନରୁ ବୈଦେଶିକ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ପରେ ଜୁନ ୨୦୨୧ରୁ ତାଲିବାନ ପକ୍ଷରୁ ଶାସନଗାଦୀ ପୁନଃଦଖଲ ପାଇଁ ଅଭିଯାନ ଆରମ୍ଭ ହେବା ପରେ ବହୁ ସ୍ଥାନୀୟ ନାଗରିକ ସଂଘର୍ଷରେ ମୃତାହତ ହେବା ସହ ଦେଶାନ୍ତର ଯାତ୍ରା ଆରମ୍ଭ ହୋଇଯାଇଥିଲା । ଜୁଲାଇ ୨୦୨୧ରେ ତାଲିବାନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିବାପରେ ଯୁଦ୍ଧ ନିଶ୍ଚିତ ହୋଇସାରିଥିଲା । ଏହି ପରିସ୍ଥିତିରେ ରଏଟରର୍ସ ଫୋଟୋଗ୍ରାଫର ଦାନିଶ ସିଦ୍ଦିକି ଆଫଗାନିସ୍ତାନ ଯାତ୍ରା ନିମନ୍ତେ ସଜବାଜ ହୋଇଥିଲେ । ସେ ଉପରିସ୍ଥ କର୍ମକର୍ତ୍ତାଙ୍କୁ ପଚାରିଥିଲେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଫଗାନିସ୍ତାନକୁ “ଆମେ ଯିବାନି ତ ଆଉ କିଏ ଯିବ ?”


 

ସିଦ୍ଦିକି ଜୁଲାଇ ୧୧ରେ କାନ୍ଦାହାର ପହଞ୍ଚି ଆଫଗାନ ସ୍ପେଶାଲ ଫୋର୍ସ ମାର୍ଫତରେ ସହବନ୍ଧିତ ହୋଇଥିଲେ । କେତେ ଶହ କମାଣ୍ଡୋଙ୍କୁ ନେଇ ସେହି ୟୁନିଟ ବିଗତ କିଛି ସପ୍ତାହ ଧରି ସୀମାନ୍ତ ସହରଗୁଡ଼ିକ ମଧ୍ୟକୁ ପଶି ଆସୁଥିବା ତାଲିବାନ ସେନାଙ୍କୁ ତଡ଼ିବା ଦାୟିତ୍ୱ ନିର୍ବାହ କରୁଥାଏ । ଦୁଇଦିନ ପରେ ଜୁଲାଇ ୧୩ରେ ଆଫଗାନ ସେନାଙ୍କ ଗ୍ରହଣରେ ଜଣେ ଅପହୃତ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟରେ ସେ ସାମିଲ ହୋଇଥିଲେ । ଅଭିଯାନ ସଫଳ ହୋଇଥିଲା ।


 

ଫେରନ୍ତା ରାସ୍ତାରେ ତାଲିବାନ ରକେଟ ମାଡ଼ର ସାମ୍ନା କରିଥିଲେ । ସିଦ୍ଦିକି ବସିଥିବା ଯାନଟି ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ସ୍ଥଳେ ସାଥିରେ ଥିବା ଅନ୍ୟ ତିନିଗୋଟି ଯାନ ଧ୍ୱଂସପ୍ରାପ୍ତ ହୋଇଥିଲା । ରକେଟ ମାଡ଼ର ଦୃଶ୍ୟ ଚ଼ିତ୍ରୋତ୍ତଳନପରେ ଭିଡ଼ିଓଟି ‘ରଏଟର ୱାଏର’ ଓ ‘ଟୁଇଟର’ରେ ସ୍ଥାନ ପାଇଥିଲା ।


 

ଦୁଇ ଦିନ ପରେ ଜୁଲାଇ ୧୫ ତାରିଖ ରାତି ୧୧ଟାରେ ଆଫଗାନିସ୍ତାନ-ପାକିସ୍ତାନ ସୀମାନ୍ତରେ ଅବସ୍ଥିତ ‘ସ୍ପନ ବୋଲଡ଼ାକ’ ନାମକ ସହରରେ ପ୍ରବେଶ କରିଥିବା ତାଲିବାନ ବିରୁଦ୍ଧରେ ଅନ୍ୟ ଏକ ଅଭିଯାନରେ ସାମିଲ ହୋଇଥିଲେ । ସେ ଜଣେ ମେଜର କମାଣ୍ଡୋଙ୍କ ଗାଡ଼ିରେ ବସିଥିଲେ । ଜୁଲାଇ ୧୬ ତାରିଖ ଭୋରରେ ଏକ ରକେଟ ମାଡ଼ରୁ ଅସ୍ତ୍ର ଛିଟିକି ସିଦ୍ଦିକିଙ୍କ ବାମ ହାତ ପଛପଟେ ପଶି ଯାଇଥିଲା । ଆହତ ସିଦ୍ଦିକିଙ୍କ ଚ଼ିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଏକ ମସଜିଦ ପ୍ରାଙ୍ଗଣକୁ ନିଆଯାଇଥିଲା ।


 

ଏକ ବିବରଣୀ ଅନୁଯାୟୀ ସିଦ୍ଦିକି, ମେଜର ଓ ସ୍ୱାସ୍ଥ୍ୟକର୍ମୀ ମସଜିଦରେ ଥିବା ଅବସରରେ ଘମାଘୋଟ ଲଢ଼େଇରେ ତାଲିବାନ ପକ୍ଷର ରକେଟ ମାଡ଼ରେ ଅତିଷ୍ଠ ହୋଇ ଆଫଗାନ କମାଣ଼୍ଡୋମାନେ ପଛଘୁଞ୍ଚା ଦେଇ ଯୁଦ୍ଧ କ୍ଷେତ୍ରକୁ ଅପସରି ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସିଦ୍ଦିକି, ମେଜର ଓ ସ୍ୱସ୍ଥ୍ୟକର୍ମୀଙ୍କୁ ଭୂଲବଶତଃ ଛାଡ଼ି ଆଫଗାନ ସ୍ପେଶାଲ ଫୋର୍ସ କମାଣ୍ଡୋମାନେ ଫେରିଯାଇଥିଲେ । ସେମାନେ ଭାବିଥିଲେ ତିନିହେଁ କିଛି ସମୟ ପୂର୍ବରୁ ସ୍ଥାନ ପରିତ୍ୟାଗ କରିଛନ୍ତି । ଫଳରେ ତିନିହେଁ ତାଲିବାନ କବଜାରେ ପଡ଼ିଯାଇଥିଲେ ।


 

ଅନ୍ୟ ଏକ ବିବରଣୀ ଅନୁଯାୟୀ କମାଣ୍ଡୋମାନେ ଅପସାରଣ ନିମନ୍ତେ ପ୍ରସ୍ତୁତ ହେଉଥିବା ସମୟରେ ମସଜିଦରୁ ସିଦ୍ଦିକି, ମେଜର ଓ ସ୍ୱାସ୍ଥ୍ୟାକର୍ମୀ ଗାଡ଼ି ଆଡ଼କୁ ଦୌଡୁଥିବା ଅବସରରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀ ଆଫଗାନ ଡ୍ରାଇଭର ତିନିଜଣଙ୍କୁ ମୃତ ଧରିନେଇ ଫେରିଯାଇଥିବା କହିଥିଲେ । ସିଦ୍ଦିକିଙ୍କ ମୃତ ଶରୀର ଦିନ ୧୦ ବେଳକୁ ‘ଟୁଇଟର’ରେ ପ୍ରକାଶିତ ହୋଇଥିଲା ।


 

ଦାନିଶ ସିଦ୍ଦିକିଙ୍କ ମୃତ୍ୟୁ ବେଳକୁ ବୟସ ୩୮ ବର୍ଷ । ଦିଲ୍ଲୀରେ ବଢ଼ିଥିବା ସିଦ୍ଦିକି ୨୦୧୦ରେ ରଏଟରର୍ସରେ ଜଣେ ଶିକ୍ଷାନବୀଶ ‘ଇଣ୍ଟର୍ନ’ ଭାବେ ଯୋଗ ଦେଇଥିଲେ । ପରେ ସେ ମୁମ୍ୱାଇଠାରେ ପ୍ରାୟ ଦଶ ବର୍ଷ କାର୍ଯ୍ୟକରି ୨୦୧୯ରେ ମୁଖ୍ୟ-ଫୋଟୋଗ୍ରାଫର ଭାବେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ । ତାଙ୍କରି ଅଧୀନରେ ପ୍ରାୟ ଡ଼ଜନେ ଫୋଟୋଗ୍ରାଫର ରଏଟରର୍ସ ଭାରତ ପାଇଁ କାର୍ଯ୍ୟରତ ଥିଲେ । ସିଦ୍ଦିକି ମିଆଁମାରର ରୋହିଙ୍ଗା ଶାରଣାର୍ଥୀଙ୍କ ଫୋଟୋ ପାଇଁ ୨୦୧୮ରେ ପୁଲିଜର ପ୍ରାଇଜର ସହ-ବିଜେତା । ସେ ବିବାହିତ ଏବଂ ତିନି ଓ ପାଞ୍ଚ ବର୍ଷର ଦୁଇ ସନ୍ତାନର ଜନକ ।


 

ସିଦ୍ଦିକି ସଂଘର୍ଷମୟ ଅଞ୍ଚଳରେ ଉତ୍ତେଜନାପ୍ରବଣ ପରିବେଶରେ ସାମ୍ୱାଦିକତାରେ ତାଲିମ ଓ ପାରଦର୍ଶିତା ଲାଭ କରିଥିଲେ । ଏଥି ପୂର୍ବରୁ ସେ ଥରେ ଆଫଗାନିସ୍ତାନ ଏବଂ ଅନ୍ୟଥରେ ଇରାକ ସେନାବାହିନୀରେ ସହବନ୍ଧିତ ହୋଇ ଯୁଦ୍ଧ କ୍ଷେତ୍ରକୁ ଚ଼ିତ୍ରୋତ୍ତଳନ କରିବା ଅଭିଜ୍ଞତାର ଅଧିକାରୀ । ଆଫଗାନିସ୍ତାନରେ ନିହତ ହେବାପରେ ପ୍ରାଥମିକ ରିପୋର୍ଟରେ ସେ ସ୍ପିନ ବୋଲଡ଼ାକ ସହର ବଜାରରେ ଫୋଟୋଗ୍ରାଫି କରୁଥିବା ଅବସ୍ଥାରେ ତାଲିବାନ ଦ୍ୱାରା ନିହତ ହୋଇଥିବା ପ୍ରଚାରିତ ହୋଇଥିଲା । ପରେ ତାହା ସଂଶୋଧନ କରାଯାଇଥିଲା ।


 

ଆଫଗାନିସ୍ତାନରେ ସାମ୍ୱାଦିକଙ୍କ ପ୍ରାଣହାନୀ ଲାଗିରହିଛି । ଦଶ ବର୍ଷ ୨୦୧୦ରୁ ୨୦୨୧ ଅଗଷ୍ଚ ପ୍ରଥମଭାଗ ସୁଦ୍ଧା ୩୫ ଜଣଙ୍କ ପ୍ରାଣହାନୀ ଘଟିଥିବା ସ୍ଥଳେ ସେଥି ମଧ୍ୟରୁ ୨୮ ଜଣ ସାମ୍ୱାଦିକ ଆଫଗାନିସ୍ତାନର ନାଗରିକ । ‘ରଏଟରର୍ସ’ ଜନୈକ ଜର୍ମାନ ବ୍ୟବସାୟୀ ଜୁଲିଅସ ରଏଟରର୍ସଙ୍କ ଦ୍ୱାରା ୧୮୫୧ରେ ସ୍ଥାପିତ ହୋଇଥିଲା । ଜୁଲିଅସ ବାଣିଜ୍ୟ ସମ୍ୱାଦ ପତ୍ରମାଧ୍ୟମରେ ପାରା ପାଦରେ ବାନ୍ଧି ଗ୍ରାହକମାନଙ୍କ ନିକଟକୁ ପ୍ରେରଣ କରି ସମ୍ୱାଦ ସରବରାହ ଆରମ୍ଭ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ତର୍ଜାତିକସ୍ତରରେ ସଂଘର୍ଷର ଧାରାବିବରଣୀ ପ୍ରସାରଣରେ ରଏଟରର୍ସ ସଦାସର୍ବଦା ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଛି । ରଏଟରର୍ସ ଇତିହାସରେ କର୍ତ୍ତବ୍ୟରତ ଅବସରରେ ୧୭୦ ବର୍ଷର ଇତିହାସରେ ୩୩ ଜଣ ସାମ୍ୱାଦିକ ପ୍ରାଣବଳୀ ଦେଇଥିବା ସ୍ଥଳେ ଦାନିଶ ସିଦ୍ଦିକିଙ୍କ ସ୍ଥାନ ୩୪ ନିରୂପିତ ।    

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୭ ଅଗଷ୍ଟ ୨୦୨


ତଥ୍ୟ:



Grey, Stephen (et.al.). Reuters photographer was killed after being left behind in retreat, Afgan General says. Aug 23, 2021

 

https://www.reuters.com/investigates/specialreport/afghanistan-conflict-reuters-siddiqui/

ୟୁକ୍ରେନ ଯୁଦ୍ଧରେ ନିହତ ସାମ୍ୱାଦିକ

ୟୁକ୍ରେନ ଯୁଦ୍ଧ ଆରମ୍ଭର ପ୍ରଥମ ତିନି ସପ୍ତାହରେ ଚାରିଜଣ ସାମ୍ୱାଦିକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ଆମେରେକୀୟ ଓ ଜଣେ ବ୍ରିଟିଶ ନାଗରିକ ସାଙ୍ଗକୁ ଦୁଇ ଜଣ ୟୁକ୍ରେନବାସୀ । ସମସ୍ତେ ଟେଲିଭିଜନ ମଞ୍ଚର ସାମ୍ୱାଦିକ । ଆମେରିକାର ବ୍ରେଣ୍ଟ ରେନାର୍ଡ ଖ୍ୟାତନାମା ‘ଟାଇମ’ ପତ୍ରିକାର ସହଯୋଗୀ ମଞ୍ଚ ନିମନ୍ତେ ଶାରଣାର୍ଥୀ ବିଷୟବସ୍ତୁ ଆଧାରିତ ଡକ୍ୟୁମେଣ୍ଟରୀ ନିମନ୍ତେ ଚ଼ିତ୍ରତ୍ତୋଳନ କରୁଥିବା ସ୍ଥଳେ ଦ୍ୱିତୀୟ ସାମ୍ୱାଦିକ ପିଅର ଜାକରଜୁସ୍କି ‘ଫକ୍ସ ନିଉଜ’ର କ୍ୟାମରା ଅପରେଟର । ୟୁକ୍ରେନ ଟେଲିଭିଜନ ଚ୍ୟାନେଲ ‘ଲାଇଭ’ର କ୍ୟାମରା ଅପରେଟର ୟାରହାନୀ ସାକୁନ ଏବଂ ‘ଫକ୍ସ ନିଉସ’ ଭିଡ଼ିଓ ସାମ୍ୱାଦିକଙ୍କୁ ସହଯୋଗ କରୁଥିବା ୟୁକ୍ରେନ ଫ୍ରିଲେନ୍ସର ଶାଶା ଯଥାକ୍ରମେ ତୃତୀୟ ଓ ଚ଼ତୁର୍ଥ ନିହତ ସାମ୍ୱାଦିକ ।


 

ଯୁଦ୍ଧକ୍ଷେତ୍ରରେ ସାମ୍ୱାଦିକତା ବୃତ୍ତିରେ ନିୟୋଜିତ ରହିବା ବିପଦସଂକୁଳ । ଟେଲିଭିଜନ ଓ ଚଳଚ଼ିତ୍ର ମଞ୍ଚ ନିମନ୍ତେ ଯୁଦ୍ଧର ଚ଼ିତ୍ରତ୍ତୋଳନ ଲାଗି କ୍ୟାମରା ଅପରେଟରମାନଙ୍କୁ ପ୍ରତ୍ୟକ୍ଷଭାବେ ଉପଦୃତ ଅଞ୍ଚଳରେ ଉପସ୍ଥିତ ରହିବାକୁ ପଡ଼ିଥାଏ । ଗୁଳିଗୋଳା ବର୍ଷଣର ଜୀବନ୍ତ ଚ଼ିତ୍ରତ୍ତୋଳନ ଲୋଭ ସମ୍ୱରଣ ନକରିପାରି ସ୍ଥଳବିଶେଷରେ କ୍ୟାମରା ଅପରେଟରମାନେ ସୁରକ୍ଷା ବଳୟ ବାହାରକୁ ଚାଲି ଯାଇଥାନ୍ତି । ସାଧାରଣରେ ଟେଲିଭିଜନ ସମ୍ୱାଦଦାତା ଓ ମୁଦ୍ରଣ ମଞ୍ଚର ସାମ୍ୱାଦିକମାନେ ଯୁଦ୍ଧକ୍ଷେତ୍ରରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବା ବେଳକୁ ସୁରକ୍ଷାକର୍ମ୍ମୀଙ୍କ ଗହଣରେ ପହଞ୍ଚିଥାନ୍ତି । ତେବେ କ୍ଷୟକ୍ଷତିର ପ୍ରତ୍ୟକ୍ଷ ତଦନ୍ତ ଓ ଆକ୍ରାନ୍ତଙ୍କ ସହ ସାକ୍ଷାତକାର ଅବସରରେ ମଧ୍ୟ ବିପଦପୂର୍ଣ୍ଣ ପରିସ୍ଥିତି ସାମ୍ନା କରିବା ଭୟ ରହିଥାଏ । ୟୁକ୍ରେନ ଯୁଦ୍ଧର ପ୍ରଥମ ତିନି ସପ୍ତାହରେ ମୃତାହତ ଚାରିଜଣ କାର୍ଯ୍ୟରତ ସାମ୍ୱାଦିକଙ୍କ ମଧ୍ୟରୁ ଜଣେ ବୋମାମାଡ଼ରେ ଏବଂ ତିନି ଜଣ ମଟରଗାଡ଼ିରେ ଯାତ୍ରା କରୁଥିବା ସମୟରେ ଗୁଳିଗୋଳାର ଶିକାର ହୋଇଥିଲେ ।


 

ବ୍ରେଣ୍ଟ ରେନାର୍ଡ ମାର୍ଚ୍ଚ ୧୩ ତାରିଖଦିନ ୟୁକ୍ରେନ ରାଜଧାନୀ ଛାଡ଼ି ପୋଲାଣ୍ଡ ପଳାୟନ କରୁଥିବା ଶାରଣାର୍ଥୀମାନଙ୍କୁ ଭେଟି ଚ଼ିତ୍ରତ୍ତୋଳନ କରୁଥିଲେ । ସେ ଟାଇମ ଷ୍ଟୁଡ଼ିଓ ସହ ଆନ୍ତର୍ଜାତିକ ଶାରଣାର୍ଥୀ ସମସ୍ୟା ସଂପର୍କରେ ଏକ ଡ଼କ୍ୟୁମେଣ୍ଟରୀ ପ୍ରସ୍ତୁତ ନିମନ୍ତେ ସହବନ୍ଧିତ ଥିଲେ । ସାଥିରେ ଜନ ଆରଡ଼େନଡ଼ୋ ନାମକ ଅନ୍ୟଜଣେ ଆମେରେକୀୟ ସାମ୍ୱାଦିକ ମଧ୍ୟ ଉପସ୍ଥିତ ଥିଲେ । ଦିହେଁ ଯୁକ୍ତରାଷ୍ଟ୍ର ଆମେରିକା ହାର୍ଭାଡ଼ ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ପ୍ରତିଷ୍ଠାନରେ ନେଇମାନ ଫେଲୋରୂପେ ୨୦୧୯ରେ ଗବେଷଣା କରୁଥିଲେ । ୟୁକ୍ରେନ ରାଜଧାନୀ କିଭର ସହରତଳି ଅଞ୍ଚଳରେ ସେମାନଙ୍କ ମଟରଗାଡ଼ି ଉପରକୁ ଅଚାନକ ଗୁଳିମାଡ଼ ହେଲା । ବ୍ରେଣ୍ଟ ଓ ଜନ ଉଭୟଙ୍କ ଶୀକାର ହେଲେ । ବ୍ରେଣ୍ଟଙ୍କ ଗଳାରେ ଓ ଜନଙ୍କ ପିଠି ପଟେ ଗୁଳି ବିଦ୍ଧ ହେବା ହେତୁ ବ୍ରେଣ୍ଟ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଲେ । ଜନଙ୍କୁ ୟୁକ୍ରେନର ହସପିଟାଲରେ ତୁରନ୍ତ ଅସ୍ତ୍ରୋପଚାର କରାଯାଇ ଗୁଳି ବାହାର କରାଯାଇଥିଲା ।


 

ବ୍ରେଣ୍ଟ ୟୁକ୍ରେନ ଯୁଦ୍ଧରେ ନିହତ ପ୍ରଥମ ଆମେରିକୀୟ ସାମ୍ୱାଦିକ । ସେ ଜଣେ ଡକ୍ୟୁମେଣ୍ଟରୀ ଫିଲ୍ମ ନିର୍ମାତା । ନିଜ ଭାଇ କାର୍ଗ ରେନାର୍ଡ଼ଙ୍କ ସହ ସେ ‘ରେନାର୍ଡ ବ୍ରଦର୍ସ’ କମ୍ପାନୀ ପ୍ରତିଷ୍ଠା କରିଥିଲେ । ତାଙ୍କରି ୱେବସାଇଟରେ କେତେକ ପ୍ରମୁଖ ଡ଼କ୍ୟୁମେଣ୍ଟରୀର ଝଲକ ଦେଖିବାକୁ ମିଳିଥାଏ । ଇରାକ ଓ ଆଫଗାନସ୍ତାନ ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ସେନାବାହିନୀର ଅଂଶଗ୍ରହଣ କଥାବସ୍ତୁ ଆଧାରିତ ପ୍ରାମାଣିକ ଚଳଚ଼ିତ୍ର ନିର୍ମାଣ ତାଙ୍କରି ବିଶେଷତ୍ତ୍ୱ । ଟେଲିଭିଜନ ଚ୍ୟାନେଲ ନିମନ୍ତେ ୨୦୦୩ରେ ଇରାକ ଯୁଦ୍ଧ ଲାଗି ଆମେରିକାର ଆଭ୍ୟନ୍ତରୀଣ ରାଜ୍ୟ ଆରକାନସାସର ଦଳେ ସୈନିକଙ୍କ ଇରାକ ଯାତ୍ରାର ଧାରାବିବରଣୀ ଆଧାରରେ ‘ଅଫ-ଟୁ-ୱାର’ ନାମକ ଦଶ ଅଧ୍ୟାୟର ଡ଼କ୍ୟୁମେଣ୍ଟରୀ ନିର୍ମାଣ କରିଥିଲେ ।


 

ହାଇତିରେ ଜାନୁୟାରୀ ୨୦୧୦ରେ ଭୂମିକମ୍ପରେ ଲକ୍ଷେ ଲୋକଙ୍କ ପ୍ରାଣହାନୀ ଘଟିବା ଠିକ ପୂର୍ବରୁ ସେଠି କୋଇଲା ପ୍ରସ୍ତୁତି ନିମନ୍ତେ କିପରି ସ୍ଥାନୀୟ ନାଗରିକ ୯୭ ପ୍ରତିଶତ ଜଙ୍ଗଲ କ୍ଷୟ କରିସାରିଥିଲେ ଏବଂ ତତ୍ ଜନିତ ପ୍ରାକୃତିକ ଦୁର୍ବିପାକର ଶୀକାର ହେଉଥିଲେ, ତାହା ବର୍ଣ୍ଣନା କରି ‘ନ୍ୟୂୟର୍କ ଟାଇମ୍ସ’ ନିମନ୍ତେ ଡ଼କ୍ୟୁମେଣ୍ଟରୀ ପ୍ରସ୍ତୁତ କରିଥିଲେ । ଆମେରିକାରେ ନିଶାଗ୍ରସ୍ତ ଯୁବ ସମ୍ପ୍ରଦାୟଙ୍କ ସଂପର୍କରେ ଟେଲିଭିଜନ ଚ୍ୟାନେଲ ‘ଏଚବିଓ’ ନିମନ୍ତେ ‘ଡ଼ୋପ-ସିକ-ଲଭ’ ନାମକ ଡକ୍ୟୁମେଣ୍ଟରୀ ଏବଂ ସମ୍ୱାଦ ମଞ୍ଚ ‘ଭାଇସ ନିଉସ’ ନିମନ୍ତେ ୨୦୧୬ରେ ସମାଜର ସର୍ବନିମ୍ନ ବର୍ଗର ପାରିବାରିକ ଜୀବନ ଆଧାରିତ ‘ସେଲଟର’ ରେନାର୍ଡ଼ ବ୍ରଦର୍ସଙ୍କ ଅନ୍ୟ ଦୁଇଗୋଟି ଉଲ୍ଲେଖନୀୟ କୃତୀ ।


 

‘ଅଫ-ଟୁ-ୱାର’ ନିର୍ମାଣରେ ରେନାର୍ଡ଼ ବ୍ରଦର୍ସ ସେନାବାହିନୀକୁ ଆରକାନସାସରୁ ଇରାକକୁ ନ୍ୟାସନାଲ ଗାର୍ଡ ସେନାବାହିନୀ ଗହଣରେ ଯାତ୍ରା କରି ଦୀର୍ଘ ସମୟ ସେନା ଛାଉଣୀରେ ବିତାଇଥିଲେ । ଟେଲିଭିଜନ ଇତିହାସରେ ଏହା ପ୍ରଥମ ବୋଲି କୁହାଯାଏ । ସେହିପରି ‘ଡ଼ୋପ-ସିକ-ଲଭ’ ନିମନ୍ତେ ରେନାର୍ଡ଼ ବ୍ରଦର୍ସ ମେଟ ଓ ଟ୍ରେର୍ସ ଏବଂ ସବାଷ୍ଟିନ ଓ ମିଚ଼େଲ ନାମକ ଦୁଇଗୋଟି ନିଶାଖୋର ପରିବାରଙ୍କୁ ୧୮ ମାସ କାଳ ଅନୁଧାବନ କରି ଦୈନନ୍ଦିନ ଜୀବନର ଚ଼ିତ୍ରାଙ୍କନ କରିଥିଲେ । ୟୁକ୍ରେନରେ ଶେଷ ସାମ୍ୱାଦିକତା କାଳରେ ବ୍ରେଣ୍ଟ ଶାରଣାର୍ଥୀମାନଙ୍କ ସାକ୍ଷାତକାର ଗ୍ରହଣ କରି କେତେକଙ୍କୁ ସ୍ମାର୍ଟଫୋନ ପ୍ରଦାନ କରୁଥିଲେ । ତାଙ୍କରି ଆଶାଥିଲା ଶାରଣାର୍ଥୀମାନେ ସାମ୍ନା କରୁଥିବା ପ୍ରତିକୂଳ ଅବସ୍ଥାର ଚ଼ିତ୍ର ଉତ୍ତୋଳନ କରି ତାଙ୍କ ନିକଟକୁ ପଠାଇ ପାରିବେ । ଫଳରେ ଡ଼କ୍ୟୁମେଣ୍ଟରୀ ପାଇଁ ଅଧିକ ଜୀବନ୍ତ ଫୁଟେଜ ସଂଗୃହୀତ ହୋଇପାରିବ ।


 

ବ୍ରେଣ୍ଟଙ୍କ ପୂର୍ବରୁ ଯୁଦ୍ଧର ପ୍ରଥମ ସପ୍ତାହରେ କିଭ ଟେଲିଭିଜନ ଟାୱାର ଉପରେ ବୋମାବର୍ଷଣ କାଳରେ ୟୁକ୍ରେନ ନାଗରିକ ୟାରହାନୀ ସାକୁନ ନାମକ ୪୯ ବର୍ଷୀୟ ପ୍ରଥମ ସାମ୍ୱାଦିକ ଭାବେ ମୃତ୍ୟୁବରଣ କରିଥିଲେ । ସେ ୟୁକ୍ରେନର ଟେଲିଭିଜନ ଚ୍ୟାନେଲ  ‘ଲାଇଭ’ର କ୍ୟାମେରା ଅପରେଟର ତଥା ସ୍ପାନିସ ଚ୍ୟାନେଲ ‘ଇଏଫଇ’ର ସଂବାଦଦାତା ରୂପେ ଅବସ୍ଥାପିତ ଥିଲେ । ବ୍ରେଣ୍ଟଙ୍କ ମୃତ୍ୟୁ ପରେ ମାର୍ଚ୍ଚ ୧୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ‘ଫକ୍ସ ନିଉସ’ର ୫୫ ବର୍ଷୀୟ କ୍ୟାମରା ଅପରେଟର ଏବଂ ତାଙ୍କ ସହଯୋଗୀ ୨୪ ବର୍ଷୀୟା ମହିଳା ଫ୍ରି-ଲେନସର ଶାଶା ଯାତ୍ରା କରୁଥିବା ବେଳେ ମଟରଗାଡ଼ି ନିଆହୁଳାର ଶୀକାର ହେବାରୁ ମୃତ୍ୟୁ ମୁଖରେ ପଡ଼ିଥିଲେ । ପିଅର ଜାକରଜୁସ୍କି ଲଣ୍ଡନବାସୀ ଆୟରଲ୍ୟାଣ୍ଡ ନାଗରିକ । ତାଙ୍କରି ଇରାକ, ଆଫଗାନସ୍ତାନ ଓ ସିରିଆରେ ଯୁଦ୍ଧ ସାମ୍ୱାଦିକତା ଅଭିଜ୍ଞତା ରହିଥିଲା । କିଭ ସହରତଳି ଏକ ଗ୍ରାମରେ ଘଟିଥିବା ଏହି ଦୁର୍ଘଟଣାରେ ‘ଫକ୍ସ ନିଉସ’ର ସାମ୍ୱାଦିକ ବେଞ୍ଜାମିନ ହାଲ ମଧ୍ୟ ଆହତ ହୋଇ ଚ଼ିକିତ୍ସିତ ହୋଇଥିଲେ ।


 

ଯୁଦ୍ଧର ବିଭତ୍ସ ରୂପ ଗଣମାଧ୍ୟମ ପ୍ରତିନିଧିମାନେ ବିଶ୍ୱବ୍ୟାପୀ ପ୍ରଚାର କରୁଥିବା ହେତୁ ସାମ୍ୱାଦିକମାନଙ୍କୁ ଲକ୍ଷ୍ୟବଦ୍ଧ ‘ଟାରଗେଟେଡ଼’ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଥାଏ । ତେବେ ବିଶେଷଜ୍ଞମାନେ ଏହାକୁ ଖଣ୍ଡନ କରିଥାନ୍ତି । ଉଦାହରଣରେ ପୂର୍ବ ଯୁଦ୍ଧମାନଙ୍କରେ ଆମେରିକାର ସେନାବାହିନୀ ପକ୍ଷରୁ ଗୁଳିଚାଳନାରେ ମଧ୍ୟ ବହୁ ସଂଖ୍ୟକ ସାମ୍ୱାଦିକ ମୃତାହତ ହୋଇଥିବା ଅଭିଜ୍ଞତା ରହିଥିବା ଦର୍ଶାଯାଇଥାଏ । ଯୁଦ୍ଧକ୍ଷେତ୍ରରେ ସାମ୍ୱାଦିକମାନଙ୍କ ସୁରକ୍ଷା ନିମନ୍ତେ ହେଲମେଟ ଓ ବୁଲେଟପୃଫ ଜ୍ୟାକେଟ ପରିଧାନ ନିମନ୍ତେ ଜର୍ମାନର ବର୍ଲିନ-ଭିତ୍ତିକ ‘ରିପୋଟିଂ ଅନ ଇଷ୍ଟର୍ଣ୍ଣ ୟୁରୋପ’ ଓ ସୁଇଡ଼େନର ‘ବୋନିଆର’ ଇତ୍ୟାଦି ସଂସ୍ଥାର ଉଦ୍ୟମରେ ସାଜସରଞ୍ଜାମ ବିତରଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଫ୍ରାନ୍ସର ‘ରିପୋର୍ଟସ ଉଇଥ ଆଉଟ ବୋର୍ଡରର୍ସ’ ପକ୍ଷରୁ ୟୁକ୍ରେନର ପଶ୍ଚିମାଞ୍ଚଳର ଲଭିବ ସହରରେ ଏକ ‘ପ୍ରେସ ଫ୍ରିଡମ ସେଣ୍ଟର’ ମଧ୍ୟ କାର୍ଯ୍ୟ ଆରମ୍ଭ କରିଥିଲା । ଯୁଦ୍ଧକ୍ଷେତ୍ରରେ ସାମ୍ୱାଦିକଙ୍କ ସୁରକ୍ଷା ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ପ୍ରାଥମିକତା ଦାବୀ କରେ ।


 

ବ୍ରେଣ୍ଟ ରେନାଡ଼ଙ୍କ ସଂପର୍କରେ ଅଧିକ ଜାଣିବା ଓ ତାଙ୍କରି ଡ଼କ୍ୟୁମେଣ୍ଟରୀର ଝଲକ ଦେଖିବା ନିମନ୍ତେ ନିମ୍ନ ୱେବସାଇଟକୁ ଯାଇପାରିବେ :

https://www.renaudbrothers.com


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୮ ମାର୍ଚ୍ଚ ୨୦୨


ତଥ୍ୟ:



Allsop, Jon. Brent Renaud, Yevhenii Sakun, and the grave dangers on the grounds of Ukraine. The Media Today. Columbia Journalism Review Newsletter. March 14, 2022.


 

Jones, Tom. American Journalist Brent Renaud killed in Ukraine. Poynter Newsletter March 14, 2022


 

Benton, Joshna. Celebrating the life and work of Brent Renaud, the film maker and Nieman Fellow killed in Ukraine. Nieman Lab Newsletter. March 14, 2022.


 

https://www.niemanlab.org/2022/03/celebrating-the-life-and-work-of-brent-renaud-the-filmmaker-and-neiman-fellow-killed-in-ukraine


ୟୁକ୍ରେନ ଯୁଦ୍ଧ ସାମ୍ୱାଦିକତା 

ୟୁରୋପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ସଂଘଟିତ ସର୍ବାପେକ୍ଷା ଦୀର୍ଘକାଳୀନ ୟୁକ୍ରେନ ଯୁଦ୍ଧର ପ୍ରଥମ ବର୍ଷ ପୂର୍ତ୍ତୀ ଅବସରରେ ଅନ୍ୟାନ୍ୟ ସାମାଜିକ କ୍ଷେତ୍ର ସମେତ ସାମ୍ୱାଦିକତାର ଭୂମିକା ବିଚାରବିମର୍ଷ ଗୁରୁତ୍ୱପୂର୍ଣ୍ଣ । ଯୁଦ୍ଧ ପ୍ରଭାବିତ ୟୁକ୍ରେନ ଆଞ୍ଚଳିକ ଗଣମାଧ୍ୟମ ପରିଧିରେ ବିଘଟନ, ଶତୃ ଅଧିକୃତ ଅଞ୍ଚଳରେ ବିସମ୍ୱାଦ ପ୍ରସାରଣ ଓ ଡ଼ିଜିଟାଲ ପରିବେଶ ଉପଯୋଗରେ ବିକଳ୍ପ ଇତିହାସ ଲିପିବଦ୍ଧ ଭଳି କେତେକ ପ୍ରସଙ୍ଗ ଦୃଷ୍ଟିଆକର୍ଷଣ କରିଥାଏ । ଯୁଦ୍ଧର ଘନଘଟା ସତ୍ତ୍ୱେ ନିରବଚ୍ଛିନ୍ନଭାବେ ଆଞ୍ଚଳିକ ଓ ଆନ୍ତର୍ଜାତିକସ୍ତରରେ ସମ୍ୱାଦ ପ୍ରସାରଣ ୟୁକ୍ରେନ ଯୁଦ୍ଧ ସାମ୍ୱାଦିକତାର ଅନ୍ୟତମ ବୈଶିଷ୍ଟ୍ୟ ।

 

ପ୍ରଥମତଃ, ପୂର୍ବ-ସୀମାନ୍ତରେ ଶତୃପକ୍ଷର ସମରସଜ୍ଜା ୨୦୨୧ରୁ ସଂଭାବ୍ୟ ଯୁଦ୍ଧର ସୂଚ଼ନା ଦେଇ ଆସିଥିଲା ଏବଂ ଫେବୃୟାରୀ ୨୦୨୨ରେ ପ୍ରଥମ ଆକ୍ରମଣ ପରେ ତତକ୍ଷଣାତ ମୂଳସ୍ରୋତର ସମ୍ୱାଦ ମଞ୍ଚଗୁଡ଼ିକର ସମ୍ୱାଦ ପ୍ରସାରଣରେ ବ୍ୟାହତ ସୃଷ୍ଟି ହୋଇଥିଲା । ଆକ୍ରମଣ ପୂର୍ବରୁ ଓ ପରେ ସୁରକ୍ଷା ଦୃଷ୍ଟିରୁ ବହୁ ସଂଖ୍ୟକ କର୍ମଜୀବୀ ସାମ୍ୱାଦିକ କାର୍ଯ୍ୟକ୍ଷେତ୍ରରୁ ସପରିବାରେ ସ୍ଥାନାନ୍ତରିତ ହୋଇଥିଲେ । କେତେକ ଦେଶାନ୍ତର ଗମନ କରିଥିଲେ । ଏତାଦୃଶ ପରିବେଶର ମୁକାବିଲା କରିବା ନିମନ୍ତେ ସମ୍ମୁଖ ଧାଡ଼ିର ସମ୍ୱାଦ ଟେଲିଭିଜନ ଚ୍ୟାନେଲଗୁଡ଼ିକ ସମଷ୍ଟିଗତ-ସମ୍ୱାଦ-କକ୍ଷ ‘ନ୍ୟୂଜ ରୁମ’ ଆରମ୍ଭ କରିଥିଲେ । ଏହି ବ୍ୟବସ୍ଥାରେ ପ୍ରତ୍ୟେକ ଟେଲିଭିଜନ ଚ୍ୟାନେଲ ନିଜ ସମ୍ୱାଦ ବୁଲେଟିନ ପ୍ରଯୋଜନା ପାଇଁ ସ୍ୱତନ୍ତ୍ର ସାମ୍ୱାଦିକ ଦଳ ‘ଟିମ’ ନିୟୋଜନ କରିବା ପରିବର୍ତ୍ତେ ଏକତ୍ର ସମ୍ୱାଦ ସଂଗ୍ରହ ଓ ସମଷ୍ଟିଗତ ସୂତ୍ରରୁ ଦୃଶ୍ୟ-ଶ୍ରାବ୍ୟ ଉପଯୋଗକୁ ଗୁରୁତ୍ୱ ଦେଇଥିଲେ ।

 

ଫଳରେ ଏକପକ୍ଷରେ ୟୁକ୍ରେନବାସୀ ନିରବଚ୍ଛିନ୍ନ ସମ୍ୱାଦ ପ୍ରସାରଣର ସୁଯୋଗ ଗ୍ରହଣ କରିଥିବା ସ୍ଥଳେ ଅପରପକ୍ଷେ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଯୁଦ୍ଧ ପରିବେଶରେ ସମ୍ୱାଦ ସଂଗ୍ରହ ଓ ଆର୍ଥିକ ନିବେଶ ସମସ୍ୟାରୁ କେତେକାଂଶରେ ମୁକ୍ତି ପାଇଥିଲେ । ୟୁକ୍ରେନ ଯୁଦ୍ଧ ସାମ୍ୱାଦିକତାରେ ବିକଶିତ ଏହି ମଡ଼େଲ ଯୁଦ୍ଧ ଭିନ୍ନ ଅନ୍ୟାନ୍ୟ ପ୍ରତିକୂଳ ପରିବେଶରେ ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚଗୁଡ଼ିକୁ ସହାୟକ ହେବା ଆଶା କରାଯାଇପାରେ । ଉଦାହରଣରେ ମହାମାରୀ-ପର ଅବସ୍ଥାରେ ଆର୍ଥିକ ମାନ୍ଦାବସ୍ଥା ପ୍ରଭାବିତ ରୁଗଣ ଟେଲିଭିଜନ ଓ ମୁଦ୍ରଣ ମଞ୍ଚଗୁଡ଼ିକରେ ଆୟ ହାନୀ ହେତୁ ଖର୍ଚ୍ଚକାଟ ଅପରିହାର୍ଯ୍ୟ ହୋଇପଡ଼ିଥିବା ସ୍ଥଳେ କେତେକ କ୍ଷେତ୍ରରେ ଅନ୍ତଃ-ମଞ୍ଚ-ସହଯୋଗ ବରଦାନ ବିବେଚ଼ିତ ହୋଇପାରେ ।

 

ଦ୍ୱିତୀୟତଃ, ୟୁକ୍ରେନ ଯୁଦ୍ଧ ପୂର୍ବରୁ ସମ୍ଭାବ୍ୟ ଆକ୍ରମଣ ସଂପର୍କରେ ଆନ୍ତର୍ଜାତିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ମଧ୍ୟ ସଚ଼େତନ ଥିଲେ । ଅଧିକାଂଶ ବହୁଳ ପ୍ରସାରିତ ସମ୍ୱାଦ ସଂସ୍ଥା ୟୁକ୍ରେନ ବାସିନ୍ଦା ସାମ୍ୱାଦିକଙ୍କ ସହ ସଂପର୍କ ସ୍ଥାପନ କରି ସମ୍ୱାଦ ସଂଗ୍ରହକୁ ଅଗ୍ରାଧିକାର ଦେଇଥିଲେ । ୟୁକ୍ରେନ ଓ ୟୁରୋପୀୟ ସମ୍ୱାଦ ମଞ୍ଚଗୁଡ଼ିକରେ ପରିବେଶିତ ଯୁଦ୍ଧ ସଂପର୍କୀତ ସମ୍ୱାଦ ସୂତ୍ରକୁ ଉଦ୍ଧାର କରି ଅନୁଶୀଳନାତ୍ମକ ସମ୍ୱାଦମାନ ପ୍ରସ୍ତୁତ ହେଉଥିଲା । ବଡ଼ ବଡ଼ ସମ୍ୱାଦ ସଂସ୍ଥା ନିଜ ପ୍ରତିନିଧିମାନଙ୍କୁ ପ୍ରପୀଡ଼ିତ ଅଞ୍ଚଳକୁ ପ୍ରେରଣ କରିଥିଲେ । ଯୁଦ୍ଧ ଆରମ୍ଭ ବର୍ଷକ ପରେ ମଧ୍ୟ ଏହି ଧାରା ଅବ୍ୟାହତ ରହିଥିଲା ।

 

ୟୁକ୍ରେନ ଯୁଦ୍ଧ ଅବସରରେ ରାଷ୍ଟ୍ରପତି ଭ୍ଳୋଦମେର ଜେଲେନସ୍କି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅନବରତ ସୋସିଆଲ ମିଡ଼ିଆରେ ଉଦବୋଧନ ସମ୍ୱାଦ ପ୍ରସାରଣ ପରିଧିରେ ଏକ ଯୁଯୋଗ ସୃଷ୍ଟି କରିଥିଲା । ଜେଲେନସ୍କି ଟିକଟକ, ଟେଲିଗ୍ରାମ ଓ ଟୁଇଟର ଭଳି ସୋସିଆଲ ମିଡ଼ିଆରେ ଚଳନ୍ତି ସମୟରେ ଯୁଦ୍ଧର ଧାରାବିବରଣୀ ଦେଇ ଚାଲିଥିଲେ । ଏଥିରୁ ଲକ୍ଷ୍ୟ କରିବା ବିଷୟ ଏହିଯେ ଜେଲେନସ୍କିଙ୍କ ଉଦବୋଧନ ୟୁକ୍ରେନବାସୀଙ୍କୁ ଏକତ୍ରୀତକରି ଶତୃପକ୍ଷ ଆକ୍ରମଣକୁ ପ୍ରତିହତ କରିବା ଏବଂ ତତ୍ ସଙ୍ଗେ ଆନ୍ତର୍ଜାତିକସ୍ତରରେ ୟୁକ୍ରେନ ପ୍ରତି ସମବେଦନା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।

 

ତୃତୀୟତଃ, ୟୁକ୍ରେନ ପରିସୀମାରେ ଶତୃପକ୍ଷ ଅନୁପ୍ରବେଶ କରି କୌଣସି ସହର ଅଧିକାର କରିବା ପରେ ତୁରନ୍ତ ସେଠାକାର ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ନିମନ୍ତେ ପଦକ୍ଷେପ ଗ୍ରହଣ କରୁଥିଲେ । ଟେଲିଭିଜନ ଓ ରେଡ଼ିଓ ଷ୍ଟେସନଗୁଡ଼ିକ ବନ୍ଦ କରିବା ସହ ମୋବାଇଲ ଓ ଇଣ୍ଟରନେଟ ନେଟୱାର୍କକୁ ଜାମ କରି ଦେଉଥିଲେ । ଫଳରେ ଉପଦ୍ରୁତ ଅଞ୍ଚଳର ଜନସାଧାରଣ କେବଳ ଶତୃପକ୍ଷ ଦ୍ୱାରା ପ୍ରସାରିତ ସମ୍ୱାଦ ଓ ଗୁଜବ ବ୍ୟତୀତ କୌଣସି ଘଟଣାର ସତ୍ୟାସତ୍ୟ ବିବରଣୀ ପରଖିବା ସୁଯୋଗ ରହୁନଥିଲା ।

 

ଏହି ପରିବେଶ ଶତୃପକ୍ଷକୁ ବିସମ୍ୱାଦ ‘ମିସ-ଇନଫରମେସନ’ ପ୍ରସାର ନିମନ୍ତେ ସୁଯୋଗ ସୃଷ୍ଟି କରୁଥିଲା । ଶତୃ ରାଷ୍ଟ୍ର ପକ୍ଷରୁ ପ୍ରସାରିତ ଟେଲିଭିଜନ ଚ୍ୟାନେଲଗୁଡ଼ିକୁ ୟୁକ୍ରେନବାସୀଙ୍କୁ ଦେଖିବାକୁ ମିଳୁଥିଲା ଏବଂ ସେଥିରେ ଯୁଦ୍ଧ ସମ୍ପର୍କରେ ବରାବର ଅସତ୍ୟ ସମ୍ୱାଦ ପ୍ରସାରିତ ହେଉଥିବା କୁହାଯାଏ । ଫଳରେ ଦେଶରେ ଏପରିକି ନିଜ ଅଞ୍ଚଳରେ କ’ଣ ହେଉଛି ତାହା ଉପଦୃତ ଇଲାକାର ନାଗରିକଙ୍କ ପକ୍ଷେ ଜାଣିବା କଷ୍ଟକର ହୋଇପଡୁଥିଲା ।

 

ଶତୃପକ୍ଷ ଅକ୍ତିଆରରରେ ଥିବା ଅଞ୍ଚଳରୁ ସମ୍ୱାଦ ସଂଗ୍ରହ ମଧ୍ୟ ସମସ୍ୟାବହୁଳ । ଏକ ପକ୍ଷରେ ଶତୃ ଅଧିକୃତ ଅଞ୍ଚଳ ମଧ୍ୟକୁ ସାମ୍ୱାଦିକଙ୍କ ପ୍ରବେଶ ବାରଣ କରାଯାଉଥିବା ସ୍ଥଳେ ସେଠାରେ ପହଞ୍ଚିଲେ ମଧ୍ୟ ଭୀତତ୍ରସ୍ତ ଅଧିବାସୀମାନେ ଶତୃପକ୍ଷ ନିର୍ଯ୍ୟାତନା ଭୟରେ କୌଣସି ଘଟଣା ବର୍ଣ୍ଣନା କରିବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି । ୟୁକ୍ରେନ ଅଭିଜ୍ଞତାରୁ ଜଣାଯାଇଛି ଯେ ଅଧିକୃତ ଅଞ୍ଚଳରୁ ଶତୃପକ୍ଷ ଅପସରି ଯିବା ପରେ ହିଁ ଯୁଦ୍ଧ ଅବସରରେ କ’ଣ ସବୁ ଘଟିଥିଲା ତାହାର ପ୍ରକୃତ ବିବରଣୀ ଜାଣିବାକୁ ମିଳିଥାଏ ।

 

ଚ଼ତୁର୍ଥତଃ, ଡ଼ିଜିଟାଲ ପରିବେଶ ବିକଶିତ ଅବସ୍ଥାରେ ପହଞ୍ଚିଥିବା କାରଣରୁ ୟୁକ୍ରେନ ଯୁଦ୍ଧ ସମ୍ୱାଦ ପ୍ରସାରଣ କୌଣସି ପରିସ୍ଥିତିରେ ବ୍ୟାହତ ହୋଇନଥିବା ଏବଂ ସନ୍ତୋଷଜନକ ସାବ୍ୟସ୍ତ ହୋଇଥିବା ଅନ୍ୟତମ ବୈଶିଷ୍ଟ୍ୟ । ୟୁକ୍ରେନ ଯୁଦ୍ଧରେ ପ୍ରପୀଡ଼ିତ ଜନସାଧାରଣଙ୍କ ଦୁର୍ଦ୍ଦଶା ଆମଷ୍ଟରଡ଼ାମ କେନ୍ଦ୍ରୀକ ‘ବେଲିଂକେଟ’ ନାମକ ଏକ ସଂଗଠନ ପକ୍ଷରୁ ଡ଼ିଜିଟାଲ ମଞ୍ଚରେ ଲିପିବଦ୍ଧ ଉଦ୍ୟମ କରାଯାଇଥିଲା । ଯୁଦ୍ଧ ଦ୍ୱାରା ଜଣେ ବ୍ୟକ୍ତି ବା ଗୋଟିଏ ପରିବାର କିମ୍ୱା ଏକ ସହର କେଉଁଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ତାହା ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଲିପିବଦ୍ଧ କରିବା କାର୍ଯ୍ୟ ହାତକୁ ନେଇଥିଲା । ତେବେ ଏହି ଦିଗରେ ଯୁଦ୍ଧ ଚାଲିଥିବା କିମ୍ୱା ଆକ୍ରମଣ ପରବର୍ତ୍ତୀ ଅବସ୍ଥାରେ ତୁରନ୍ତ ଘଟଣାସ୍ଥଳରୁ ତଥ୍ୟ ସଂଗ୍ରହ କରି ବାସ୍ତବ ଦୃଶ୍ୟ ଡିଜିଟାଲ ମାଧ୍ୟମରେ ଚ଼ିତ୍ରିତ କରିବାକୁ ପଡ଼ିଥାଏ । ସୋସିଆଲ ମିଡ଼ିଆରେ ଉପଦୃତ ଅଞ୍ଚଳର ଜନସାଧାରଣ ନିଜ ପରିଚ଼ିତ ବର୍ଗଙ୍କ ମଧ୍ୟରେ ପ୍ରସାର ଉଦ୍ଦେଶ୍ୟରେ ଯୁଦ୍ଧ ସମୟର ଦୃଶ୍ୟାବଳୀ ପୋଷ୍ଟ କରିଥାନ୍ତି । ଏଗୁଡ଼ିକ ସଂକଳିତ କଲେ ସାମଗ୍ରିକଭାବେ ଯୁଦ୍ଧର ଭୟାବହତା ପ୍ରାମାଣିକ ତଥ୍ୟ ପ୍ରସ୍ତୁତ ସଂଭବ ।

 

ୟୁକ୍ରେନ ଯୁଦ୍ଧର ପ୍ରଥମ ବର୍ଷ ଫେବୃୟାରୀ ୨୦୨୩ ସୁଦ୍ଧା ‘ବେଲିଂକେଟ’ ପକ୍ଷରୁ ପ୍ରାୟ ଏଗାର ଶହ ଗୁଳିଚାଳନା, ବୋମା ମାଡ଼ ଓ ଆକାଶ ପଥରେ ଆକ୍ରମଣ ଘଟଣା ଲିପିବଦ୍ଧ କରାଯାଇଥିବା ଜଣାଯାଏ । ଏଥିମଧ୍ୟରୁ ଦୁଇ ଶହ ବିଦ୍ୟାଳୟ, ଚ଼ିକିତ୍ସାଳୟ ଓ ସାଂସ୍କୃତିକ ପୀଠ ଉପରେ ଆକ୍ରମଣର ଦୃଶ୍ୟାବଳୀ ଅନ୍ତର୍ଭୁକ୍ତ । ମୋଟାମୋଟି ଭାବେ ସର୍ବାପେକ୍ଷା ଦୁଇ ଶହ ‘ଖାରକିଭ’, ଶହେ ସରିକି ‘କିଭ’ ‘ମାରିଆପୋଲ’ ଓ ‘ମାଇକେଲିଭ’ରେ ପ୍ରତ୍ୟେକ ୭୫ ଏବଂ ‘ଖେସରନ’ରେ ୫୦ ଘଟଣା ସଂପର୍କରେ ‘ବେଲିଂକେଟ’ ୱେବସାଇଟରେ ଚଳନ୍ତି ଅଭିଲେଖାଗାର ପ୍ରସ୍ତୁତ କରାଯାଇଥିବା ଘଟଣା ଉଲ୍ଲେଖଯୋଗ୍ୟ ।

 

ପଞ୍ଚମତଃ, ୟୁକ୍ରେନ ଯୁଦ୍ଧ ସାମ୍ୱାଦିକତା ପ୍ରତି ଆନ୍ତର୍ଜାତିକସ୍ତରରେ ସମ୍ୱାଦ ଉପଭୋକ୍ତାଙ୍କ ଆଗ୍ରହ ଅନୁଧ୍ୟାନରେ ସକାରାତ୍ମକ ମନୋଭାବ ପରିଦୃଷ୍ଟ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ‘ରଏଟର୍ସ ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ପକ୍ଷରୁ ‘ୟୁ-ଗଭ’ ଆନୁକୂଲ୍ୟରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ଅବସ୍ଥାରେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ପୋଲାଣ୍ଡ, ଜର୍ମାନୀ, ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରାଜିଲ ପାଞ୍ଚଗୋଟି ରାଷ୍ଟ୍ରରେ ପ୍ରତ୍ୟେକ ଅଞ୍ଚଳରୁ ଏକ ହଜାର ସମ୍ୱାଦ ଉପଭୋକ୍ତାଙ୍କଠାରୁ ଅନଲାଇନରେ ୨୯ ମାର୍ଚ୍ଚରୁ ଏପ୍ରିଲ ୨୦୨୨ ମଧ୍ୟରେ ଯୁଦ୍ଧ ସଂପର୍କୀତ ସମ୍ୱାଦ ଆହରଣରେ ଆଗ୍ରହ ସଂପର୍କୀତ ତଥ୍ୟ ସଂଗୃହୀତ ହୋଇଥିଲା ।

 

ୟୁକ୍ରେନ ଯୁଦ୍ଧ ସଂପର୍କରେ ପାଞ୍ଚଗୋଟି ରାଷ୍ଟ୍ର ମଧ୍ୟରୁ ଜର୍ମାନୀର ସର୍ବାଧିକ ନାଗରିକ ଆଗ୍ରହ ପ୍ରକାଶ କରିଥିବା ସ୍ଥଳେ ବ୍ରାଜିଲରେ ସର୍ବନିମ୍ନ ଆଗ୍ରହ ପରିଲକ୍ଷିତ ହୋଇଥଲା । ଜର୍ମାନୀରେ ୪୬ ପ୍ରତିଶତ ସମ୍ୱାଦ ଉପଭୋକ୍ତା ଯୁଦ୍ଧ ସଂପର୍କୀତ ସମ୍ୱାଦ ଟେଲିଭିଜନରୁ ଦେଖିଥିବା ସ୍ଥଳେ ବ୍ରାଜିଲରେ ୪୪ ପ୍ରତିଶତ, ବ୍ରିଟେନରେ ୩୯ ପ୍ରତିଶତ, ପୋଲାଣ୍ଡରେ ୩୮ ପ୍ରତିଶତ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୩୧ ପ୍ରତିଶତ ଦେଖିଥିଲେ । ସେହିପରି ସୋସିଆଲ ମିଡ଼ିଆରେ ବ୍ରାଜିଲରେ ୨୩ ପ୍ରତିଶତ, ଯୁକ୍ତରାଷ୍ଟ୍ର ଆମେରିକାରେ ୧୩ ପ୍ରତିଶତ, ପୋଲାଣ୍ଡରେ ୧୧ ପ୍ରତିଶତ, ବ୍ରିଟେନରେ ୭ ପ୍ରତିଶତ ଓ ଜର୍ମାନରେ ୬ ପ୍ରତିଶତ ଯୁଦ୍ଧ ସମ୍ୱାଦ ଆହରଣ କରିଥିବା ପ୍ରକାଶ କରିଥିଲେ । ତେବେ ମୁଦ୍ରିତ ସମ୍ୱାଦପତ୍ର ପ୍ରତି ବ୍ରିଟେନ ଓ ଜର୍ମାନୀରେ ପ୍ରତ୍ୟେକ ୪ ପ୍ରତିଶତ, ଯୁକ୍ତରାଷ୍ଟ୍ର ଆମେରିକାରେ ୩ ପ୍ରତିଶତ ଏବଂ ବ୍ରାଜିଲ ଓ ପୋଲାଣ୍ଡରେ ମାତ୍ର ଏକ ପ୍ରତିଶତ ଯୁଦ୍ଧ ସମ୍ୱାଦ ପଢୁଥିଲେ ।

 

ଏହି ପରିସଂଖ୍ୟାନ ଆନ୍ତର୍ଜାତିକସ୍ତରରେ ସମ୍ୱାଦ ଉପଭୋକ୍ତାଙ୍କ ମହାମାରୀ-ପର ପରିବର୍ତ୍ତିତ ସମ୍ୱାଦ ଆହରଣ ଆଚ଼ରଣର ସୂଚନା ପ୍ରଦାନ କରିଥାଏ । ଦକ୍ଷିଣ ଆମେରିକାର ବ୍ରାଜିଲର ସାମାଜିକ ବ୍ୟବସ୍ଥା ସହ ଭାରତ ତଥା ଓଡ଼ିଶାର ଜନଜୀବନର ସାମଞ୍ଜସ୍ୟ ରହିଛି । ଯୁଦ୍ଧ ଭଳି ରୋମାଞ୍ଚକର ସମ୍ୱାଦ ନିମନ୍ତେ ବ୍ରାଜିଲବାସୀ ଟେଲିଭିଜନ ଓ ସୋସିଆଲ ମିଡ଼ିଆ ଉପରେ ନିର୍ଭର କରୁଥିବା ସ୍ଥଳେ ମୁଦ୍ରିତ ସମ୍ୱାଦପତ୍ର ପ୍ରତି ଅବହେଳା ଓଡ଼ିଶାର ଗଣମାଧ୍ୟମ ପରିବେଶର ସମ୍ଭାବ୍ୟ ଭବିଷ୍ୟତ ଆକଳନ କରିବାରେ ସହାୟକ ହେବା ବିଶ୍ୱାସ କରାଯାଇପାରେ । ଯୁଦ୍ଧ ପ୍ରଭାବିତ ୟୁକ୍ରେନ ସାମ୍ୱାଦିକତାରେ ୨୦୨୨ ବର୍ଷକ ମଧ୍ୟରେ ୨୦୦ ଯାଏଁ ସମ୍ୱାଦ ମଞ୍ଚ ବନ୍ଦ ହୋଇଯାଇଥିବା ଏବଂ ବିଜ୍ଞାପନ ଆୟ ଟେଲିଭିଜନରେ ୮୧ ପ୍ରତିଶତ ଓ ମୁଦ୍ରିତ ସମ୍ୱାଦପତ୍ରରେ ୭୯ ହାନୀ ହୋଇଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ପରିବର୍ତ୍ତିତ ପରିବେଶର ମୁକାବିଲା କରିବା ନିମନ୍ତେ ସେଠାକାର ଗଣମାଧ୍ୟମ ମଞ୍ଚଗୁଡ଼ିକ ନୂତନ ବ୍ୟାବସାୟିକ ମଡ଼େଲ ସୃଷ୍ଟିରେ ମନୋନିବେଶ କରୁଥିବା ପରିଲକ୍ଷିତ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ମାର୍ଚ୍ଚ ୨୦୨


ତଥ୍ୟ:



Eddy, Dr Kirsten & Dr Richard Fletcher. Perceptions of Media coverage of the war in Ukraine.

 

https://reutersinstitute.politics.ox.ac.uk/digital-news-report/2022/perceptions-media-coverage-war-Ukraine

 

One year after Putin’s invasion, how is Ukrainian journalism faring ?

 

https://reutersinstitute.politics.ox.ac.uk/news/our-podcast-one-year-after-putins-invasion-how-ukrainian-journalism-faring

 

Tokariuk, Olga. A year of lies.: Russian’s information war against Ukraine

 

https://cepa.org/article/a-year-of-lies-russias-information-war-against-ukraine/ 

ଇସ୍ରାଏଲ-ହାମାସ ଯୁଦ୍ଧ ସାମ୍ୱାଦିକତା 

ହାମାସଙ୍କ ପକ୍ଷରୁ ଇସ୍ରାଏଲ ସୀମାନ୍ତରେ ଅନୁପ୍ରବେଶ ଓ ଆତଙ୍କରାଜ ପ୍ରତିରୋଧରେ ଇସ୍ରାଏଲ ସେନାର ଗାଜା ଆକ୍ରମଣର ପ୍ରଥମ ଦଶ ଦିନ ୨୦୨୩ ଅକ୍ଟୋବର ୭ରୁ ୧୭ ତାରିଖ ମଧ୍ୟରେ ୧୫ ଜଣ ସାମ୍ୱାଦିକ ନିହତ ହୋଇଥିବା ପ୍ରକାଶ ପାଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା ନ୍ୟୂୟର୍କ ଭିତ୍ତିକ ‘କମିଟି-ଟୁ-ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ ପକ୍ଷରୁ ଅକ୍ଟୋବର ୧୭ ତାରିଖରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଯୁଦ୍ଧରେ ନିହତ ୧୫ ଜଣ ସାମ୍ୱାଦିକଙ୍କ ମଧ୍ୟରେ ୧୧ ଜଣ ପାଲେଷ୍ଟାଇନ, ତିନି ଜଣ ଇସ୍ରାଏଲ ଓ ଜଣେ ଲେବାନାନ ବାସିନ୍ଦା । ଏହି ସମୟସୀମାରେ ଆଠ ଜଣ ସାମ୍ୱାଦିକ ଆହତ ହୋଇଥିବା ବେଳେ ତିନିଜଣ ସାମ୍ୱାଦିକ ନିଖୋଜ କିମ୍ୱା ବନ୍ଦୀ ଥିବା ଅଭିଯୋଗ ସଂପର୍କରେ ସଂଗଠନ ପକ୍ଷରୁ ତଦନ୍ତ ଜାରୀ ରହିଥିଲା ।

 

ସଂଘର୍ଷର ପ୍ରଥମ ଦିନ ୭ ଅକ୍ଟୋବରରେ ଛଅ ଜଣ ସାମ୍ୱାଦିକ ପ୍ରାଣ ହରାଇଥିଲେ । ସେଥି ମଧ୍ୟରୁ ତିନି ଜଣ ସାମ୍ୱାଦିକ ହାମାସ ଆକ୍ରମଣରେ ଇସ୍ରାଏଲରେ ଏବଂ ତିନି ଜଣ ଇସ୍ରାଏଲ ଆକ୍ରମଣରେ ଗାଜାରେ ନିହତ ହୋଇଥିଲେ । ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଲାଗି ରହିଥିବା ସ୍ଥଳେ ମୁଖ୍ୟତଃ ଗାଜା ଅଞ୍ଚଳରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ସଂପର୍କୀତ ସମ୍ୱାଦ ପରିବେଷଣ କରୁଥିବା ସାମ୍ୱାଦିକମାନେ ଆକ୍ରମଣ ଶୀକାର ହେଉଥିବା ଅଭିଯୋଗ କ୍ରମାଗତ ଶୁଣିବାକୁ ମିଳେ । ଇସ୍ରାଏଲ ପକ୍ଷରୁ ପ୍ରଶାସନିକ ଅଟକ ‘ଏଡ଼ମିନଷ୍ଟ୍ରେଟିଭ ଡିଟେନସେନ’ ମାଧ୍ୟମରେ ବିନା ବିଚାରରେ ସାମ୍ୱାଦିକମାନଙ୍କୁ ବନ୍ଦୀ ରଖିବା ପ୍ରଥା ପାଲେଷ୍ଟାନରେ ଚାଲି ଆସିଥିବା କୁହାଯାଏ ।

 

‘ରିପୋର୍ଟରର୍ସ ଉଇଦାଉଟ ବୋଡର୍ସ’ର ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୦ରୁ ୨୦୨୩ ତିନି ବର୍ଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ପାଲେଷ୍ଟାଇନରେ ଅନ୍ୟୂନ ୩୦ ଜଣ ସାମ୍ୱାଦିକ ନିହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ଇଟାଲି ଓ ଜଣେ ବ୍ରିଟେନ ସାମ୍ୱାଦିକ ମଧ୍ୟ ଅନ୍ତର୍ଭୁକ୍ତ । ‘ପାଲେଷ୍ଟାନିଆନ ସେଣ୍ଟର ଫର ଡେଭଲପମେଣ୍ଟ ଏଣ୍ଡ ମିଡ଼ିଆ’ର ୨୦୨୧ ବାର୍ଷିକ ବିବରଣୀରେ ପାଲେଷ୍ଟାଇନ ସାମ୍ୱାଦିକଙ୍କ ବିରୋଧରେ ଇସ୍ରାଏଲ ସେନାବାହିନୀ ପକ୍ଷରୁ ୩୬୮ ଗୋଟି ଘଟଣା ଉଲ୍ଲେଖ କରାଯାଇଥିଲା । ସେହି ରିପୋର୍ଟ ଅନୁଯାୟୀ ପୂର୍ବ ଦଶ ବର୍ଷ ମଧ୍ୟରେ ୨୪୮ ଜଣ ପାଲେଷ୍ଟାଇନ ସାମ୍ୱାଦିକ ବନ୍ଦୀ ହୋଇଥିଲେ ।

 

 

 

ଇସ୍ରାଏଲ ଓ ପାଲେଷ୍ଟାଇନ ସଂଗ୍ରାମୀ ଗୋଷ୍ଠୀ ହାମାସଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣର ସୁଦୀର୍ଘ ଇତିହାସ ଗଣମାଧ୍ୟମରେ ଚର୍ଚ୍ଚିତ ବିଷୟବସ୍ତୁ । ତେବେ ଅକ୍ଟୋବର ୨୦୨୩ ଯୁଦ୍ଧର ଚ଼ିତ୍ର ସର୍ବସାଧାରଣରେ ପ୍ରକାଶନରେ ସୋସିଆଲ ମିଡ଼ିଆ ପ୍ରମୁଖ ସ୍ଥାନ ଅଧିକାର କରିଥିଲା । ଉପଦ୍ରୁତ ଅଞ୍ଚଳରେ ସମ୍ୱାଦ ଉପଭୋକ୍ତାମାନେ ଚଳନ୍ତି ଘଟଣାବଳୀ ସଂପର୍କୀତ ସମ୍ୱାଦ ନିମନ୍ତେ ଟେଲିଭିଜନ ପ୍ରସାରଣ ଉପରେ ନିର୍ଭର ନକରି ମୁଖ୍ୟତଃ ସୋସିଆଲ ମିଡ଼ିଆ ପୋଷ୍ଟଗୁଡ଼ିକୁ ଗୁରୁତ୍ୱ ଦେଇଥିବା ଦେଖାଯାଇଥିଲା । ଏହି ପରିବେଶରେ ଯୁଦ୍ଧ ସଂପର୍କରେ ଅତିରଞ୍ଜିତ ସମ୍ୱାଦ ଓ ଭିଡ଼ିଓ ଦ୍ୱାରା ଭ୍ରମିତ ମଧ୍ୟ ହୋଇଥିଲେ । କେତେକ କ୍ଷେତ୍ରରେ ପୂର୍ବ ଯୁଦ୍ଧଗୁଡ଼ିକର ଦୃଶ୍ୟାବଳୀ ପୁନଃ ପ୍ରକାଶନ ସହ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ପ୍ରଯୋଜିତ ଦୃଶ୍ୟାବଳୀ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

 

ଉଦାହରଣରେ ‘ବିବିସି ଭେରିଫାଇ’ରେ ଅବସ୍ଥାପିତ ସାମ୍ୱାଦିକଙ୍କ ଦ୍ୱାରା ‘ଏକ୍ସ’ରେ ପ୍ରକାଶିତ ପୋଷ୍ଟ ଅନୁଯାୟୀ ଇସ୍ରାଏଲ-ହାମାସ ଯୁଦ୍ଧର ସପ୍ତମ ଦିବସରେ କୋଠାବାଡ଼ି ପୂର୍ଣ୍ଣ ଏକ ଇଲାକାରେ ଭୟଙ୍କର ବୋମା ବିସ୍ପୋରଣର ଭିଡ଼ିଓ ପ୍ରକାଶିତ ହୋଇଥିଲା । କୁହାଯାଇଥିଲା ଯେ ପାଲେଷ୍ଟାଇନ ଜନବସତିରେ ଇସ୍ରାଏଲ ପକ୍ଷରୁ ବୋମାମାଡ଼ କରାଯାଇଛି । ଏହି ଭିଡ଼ିଓ ଚାରି ଲକ୍ଷ ପଚାଶ ହଜାର ଦର୍ଶକ ଦେଖିଥିଲେ । ବିବିସି ସାମ୍ୱାଦିକ ସୂଚାଇଥିଲେ ଯେ ଭିଡ଼ିଓଟି ୨୦୧୩ ସିରିଆ ଯୁଦ୍ଧରେ ୟାବୋର୍ଡ ଜନବସତିରେ ବୋମାମାଡ଼ର ଦୃଶ୍ୟ ।

 

ସୋସିଆଲ ମିଡ଼ିଆରେ ପ୍ରଚାରିତ ମିଥ୍ୟା, ଅତିରଞ୍ଜିତ ଓ ଉଦ୍ଦେଶ୍ୟ-ପ୍ରଣୋଦିତ ସମ୍ୱାଦ ତନଖିବା ନିମନ୍ତେ ବିବିସି ସମେତ କେତେକ ପ୍ରତିଷ୍ଠାନ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଅବସରରେ ପ୍ରଚାରିତ ପୋଷ୍ଟଗୁଡ଼ିକୁ ତନଖି କରିଥିଲେ । ଅବଶ୍ୟ ସମସ୍ତ ପୋଷ୍ଟ ତନଖିବା ସଂଭବ ନଥିବା ସ୍ଥଳେ ‘ଭାଇରାଲ’, ଅର୍ଥାତ ବହୁସଂଖ୍ୟାରେ ବିତରିତ ବା ‘ସେୟାର’ ହୋଇଥିବା ପୋଷ୍ଟଗୁଡ଼ିକର ସତ୍ୟତା ତନଖିବା ନିମନ୍ତେ ଉଦ୍ୟମ ହୋଇଥିଲା ।

 

ସୋସିଆଲ ମିଡ଼ିଆରେ ପ୍ରସାରିତ ସନ୍ଦେହଜନକ ଭିଡ଼ିଓଗୁଡ଼ିକ ତନଖିବା ନିମନ୍ତେ ଫାକ୍ଟ ଚ଼େକରମାନେ ଗୁଗୁଲ ରିଭର୍ସ-ଇମେଜ ସର୍ଚ୍ଚ ଭଳି ମଞ୍ଚ ବ୍ୟବହାର କରନ୍ତି । ଗୁଗୁଲ ପକ୍ଷରୁ ୨୦୧୧ରୁ ‘ଗୁଗୁଲ ସର୍ଚ୍ଚ ବାଇ ଇମେଜ’ ନାମକ ସୁଯୋଗ ସୃଷ୍ଟି କରିଛି । ଏହି ମଞ୍ଚରେ କୌଣସି ଫୋଟ ବା ଭିଡ଼ିଓ ଅପଲୋଡ଼ କଲେ ଇଣ୍ଟରନେଟରେ ଉପଲବ୍ଧ ସେହି ଧରଣର ଅନ୍ୟାନ୍ୟ ଫୋଟ ଓ ଭିଡ଼ିଓ ଆପେ ଆପେ ପ୍ରଦର୍ଶିତ ହୋଇଥାଏ । ଫଳରେ ଚୟନ କରାଯାଇଥିବା ଫୋଟ ମୌଳିକ ବା ନକଲ ସହଜରେ ଜଣାପଡ଼ିପାରେ । ଇସ୍ରାଏଲ-ହାମାସ ଯୁଦ୍ଧରେ ସୋସିଆଲ ମିଡ଼ିଆରେ ପ୍ରଥମ ଦଶ ଦିନରେ ପ୍ରସାରିତ ମିଥ୍ୟା ଫୋଟ ଓ ଭିଡ଼ିଓ ମଧ୍ୟରୁ ଅଧିକାଂଶ ପୂର୍ବ ଯୁଦ୍ଧର ଚ଼ିତ୍ର ସଂଯୋଜିତ ହୋଇଥିବା ଫାକ୍ଟ ଚେକରମାନେ କହିଥାନ୍ତି ।

 

ଅନ୍ୟ କେତେକ କ୍ଷେତ୍ରରେ ପ୍ରକୃତ ଦୃଶ୍ୟାବଳୀର ମଧ୍ୟ ତୃଟିପୂର୍ଣ୍ଣ ଅବତରଣା କରାଯାଇଥାଏ । ଉଦାହରଣରେ ହାଇଫା ଅଞ୍ଚଳରେ ୧୧ ଅକ୍ଟୋବରରେ ସାଇରନ ବାଜିବା ପରେ ଜନସାଧାରଣ ଘର ମଧ୍ୟକୁ ଚାଲିଯାଉଥିବା ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । ଏହା ସତ୍ୟ ଘଟଣା । କିନ୍ତୁ ଭିଡ଼ିଓ ସହ ସୂଚ଼ନା ଦିଆ ଯାଇଥିଲା ଯେ ଉତ୍ତର-ଇସ୍ରାଏଲରେ ହଜବୋଲା ଆତଙ୍କବାଦୀ ପଶି ଆସିଛନ୍ତି । ଏହି ସମ୍ୱାଦ ମିଥ୍ୟା ।

 

ଅସତ୍ୟ ସମ୍ୱାଦ, ଫୋଟ ଓ ଭିଡ଼ିଓ ପ୍ରସ୍ତୁତ କରି ବିବିସି, ବେଲିଂକେଟ ଭଳି ସତ୍ୟନିଷ୍ଠ ସମ୍ୱାଦ ପରିବେଷଣରେ ଖ୍ୟାତ ସମ୍ୱାଦ ମଞ୍ଚଗୁଡ଼ିକର ନାମ ବ୍ୟବହାର କରି ସୋସିଆଲ ମିଡ଼ିଆରେ ପ୍ରକାଶିତ ହୋଇଥିବା ଉଦାହରଣ ମଧ୍ୟ ଇସ୍ରାଏଲ-ହାମାସ ଯୁଦ୍ଧ ଅବସରରେ ଦେଖିବାକୁ ମିଳିଥିଲା ।

 

ସୋସିଆଲ ମିଡ଼ିଆରେ ଅପପ୍ରଚାରକୁ ତତକ୍ଷଣାତ ଟାଳି ଦେଇ ହୁଏ ନାହିଁ । ଏକପକ୍ଷରେ କୌଣସି ଉତ୍ତେଜକ ଦୃଶ୍ୟ ବା ପାଠ୍ୟ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ବହୁ ସଂଖ୍ୟାରେ ବିତରିତ ‘ଭାଇରଲ’ ହୋଇ ଖୁବ କମ ସମୟ ମଧ୍ୟରେ ସୁବିସ୍ତୃତ ଦର୍ଶକ ଓ ଶ୍ରୋତାଙ୍କ ନିକଟରେ ପହଞ୍ଚି ସାରିଥାଏ । ଅପରପକ୍ଷରେ ଅସତ୍ୟ ପୋଷ୍ଟ ଚ଼ିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମୟସାପେକ୍ଷ ଏବଂ ସମସ୍ତ ପୋଷ୍ଟକୁ ତନଖିବା କାଠିକର ବ୍ୟାପାର । ଅବଶ୍ୟ ଏହି ସମସ୍ୟାର ସମାଧାନ ଦିଗରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ପକ୍ଷରୁ ବୈଷୟିକ କାର୍ଯ୍ୟାନୁଷ୍ଠାନ ଅଧିକ ଫଳପ୍ରଦ ହୋଇଥାଏ । କୌଣସି ନିର୍ଦ୍ଦିଷ୍ଟ ସମ୍ୱେଦନଶୀଳ ବିଷୟବସ୍ତୁ ସଂପର୍କରେ ପୋଷ୍ଟଗୁଡ଼ିକ କେଉଁ ଢଙ୍ଗରେ ଉପଭୋକ୍ତାଙ୍କ ମଧ୍ୟରେ ବିତରିତ ହେବ ତାହା ସଂପୃକ୍ତ ମଞ୍ଚ ପରିଚାଳକ ନିର୍ଦ୍ଧାରଣ କରି ପାରନ୍ତି ।

 

ଇସ୍ରାଏଲ-ହାମାସ ଯୁଦ୍ଧରେ ସୋସିଆଲ ମିଡ଼ିଆର ଭୂମିକା ଅନୁଧ୍ୟାନ କରି ସପ୍ତାହକ ମଧ୍ୟରେ ଫେସବୁକ ଓ ଇନଷ୍ଟାଗ୍ରାମ ପ୍ରାୟୋଜକ ମେଟା, ଟିକଟକ ଓ ୟୁଟ୍ୟୁବ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଘୋଷିତ ହୋଇଥିଲା । ମେଟା ଓ ୟୁଟ୍ୟୁବ ପ୍ରାୟୋଜକ ଗୁଗୁଲ ଦୀର୍ଘ ଅତୀତରୁ ହାମାସକୁ ଆତଙ୍କବାଦୀ ସଂଗଠନ ଭାବେ ଚ଼ିହ୍ନଟ କରିଥିଲେ । ପରିବର୍ତ୍ତିତ ପରିବେଶରେ ମୁଖ୍ୟତଃ ଏକ୍ସ (ଟୁଇଟର) ଏବଂ ଟେଲିଗ୍ରାମ ମଞ୍ଚରେ ଯୁଦ୍ଧ ସମ୍ୱାଦ ବହୁଳମାତ୍ରାରେ ପ୍ରକାଶିତ ହେଉଥିବା ଦେଖିବାକୁ ମିଳିଥିଲା । ଟେଲିଗ୍ରାମ ମଞ୍ଚରେ ଉପଭୋକ୍ତାଙ୍କ ଗୋପନୀୟତା ଅଭେଦ୍ୟ ଥିବା ହେତୁ ହାମାସ ଏଥିପ୍ରତି ଆକର୍ଷିତ ହୋଇଥାନ୍ତି । ଟିକଟକ ପକ୍ଷରୁ ଆରବ ଓ ହୀବୃ ଭାଷାରେ ଦକ୍ଷତାଥିବା ସମ୍ୱାଦ ସମୀକ୍ଷକଙ୍କୁ ନିଯୁକ୍ତି ଏବଂ ୟୁଟ୍ୟୁବ ପକ୍ଷରୁ ଅସଂଖ୍ୟ ଯୁଦ୍ଧ ସଂପର୍କୀତ ଭିଡ଼ିଓ ନିଷିଦ୍ଧ କରାଯାଇଥିବା କୁହାଯାଇଥିଲା ।

 

ଇସ୍ରାଏଲର ପ୍ରଦ୍ୟୋଗିକୀ ପ୍ରତିଷ୍ଠାନ ‘ସାଇବରା’ ସୋସିଆଲ ମିଡ଼ିଆ ମଞ୍ଚରେ ଅସତ୍ୟ ସମ୍ୱାଦ ପ୍ରସାରଣ ସମୀକ୍ଷାରେ ଆନ୍ତର୍ଜାତିକସ୍ତରରେ ଖ୍ୟାତ । ‘ସାଇବରା’ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ-ହାମାସ ଯୁଦ୍ଧ ସଂପର୍କୀତ ମିଥ୍ୟା ସମ୍ୱାଦ ବହୁ ସଂଖ୍ୟାରେ କୃତ୍ରିମ ପ୍ରଣାଳୀରେ ବିନା ମାନବ ଉପସ୍ଥିତିରେ ପ୍ରସ୍ତୁତ କରାଯାଉଛି । ଏକ ଉଦାହରଣରେ ୨୦ ଲକ୍ଷ ପୋଷ୍ଟ ସମୀକ୍ଷାରୁ ଜଣାଯାଇଥିଲା ଯେ ତାହା ୧,୬୨,୦୦୦ ସୂତ୍ରରୁ ପୋଷ୍ଟ ହୋଇଥିବା ସ୍ଥଳେ ପ୍ରାୟ ୨୫ ପ୍ରତିଶତ ମିଥ୍ୟା ଥିବା ପ୍ରମାଣ ପାଇଥିଲା । ଏହି ପରିସଂଖ୍ୟାନ ଉଦବେଗଜନକ । ଜନାଦୃତ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଏକ ଚ଼ତୁର୍ଥାଂଶ ଅସତ୍ୟ, ଅତିରଞ୍ଜିତ ଓ ଉଦ୍ଦେଶ୍ୟ-ପ୍ରଣୋଦିତ ସମ୍ୱାଦ ପ୍ରସାରକ ବୃହତ ସାମାଜିକ ବିଶୃଙ୍ଖଳାର କାରଣ ପାଲଟିବା ଅସଂଭବ ନୁହେଁ । ଇସ୍ରାଏଲ-ହାମାସ ଯୁଦ୍ଧରେ ସୋସିଆଲ ମିଡ଼ିଆ ମଞ୍ଚର ଭୂମିକା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ କ୍ଷେତ୍ରରେ ପ୍ରତିଫଳିତ ହେବା ନିଶ୍ଚିତ ବିଚାର କରାଯାଇପାରେ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୦ ଅକ୍ଟୋବର ୨୦୨୩


ତଥ୍ୟ :

 

Journalist casualties in the Israel-Gaza conflict. Committee to Protect Journalists. October 17, 2023

 

https://cpj.org/2023/10/journalist-casualties-in-the-israel-gaza-conflict/

 

Mukherjee, Mitali. Israel-Gaza conflict : When social media fakes are rampant, news verification is vital. The Conversation. October 13, 2023

 

https://theconversation.com/israel-gaza-conflict-when-social-media-fakes-are-rampant-news-verification-is-vital-215496

 

Suarez, Eduardo. BBC expert on debunking Israel-Hamas war visuals : The volume of misinformation on Twitter was beyond anything I’ve ever seen”. Reuters Institute for the Study of Journalism. October 13, 2023

 

https://reutersinstitute.politics.ox.ac.uk/news/bbc-expert-debunking-israel-hamas-war-visuals-volume-misinformation-twitter-was-beyond

 

Sakek, Dina and Layala Mashkoor. In Israel-Hamas conflict, social media becomes tools of propaganda and disinformation. Digital Forensic Research Lab (DFRLab). October 12, 2023

 

https://dfrlab.org/2023/10/12/in-israel-hamas-conflict-social-media-become-tools-of-propaganda-and-disinformation/?mkt_tok=NjU5LVdaWC0wNzUAAAGOxRgnTttcU-fFE_4Wwo-cRFu3BCyGym-GrC6NiBY7YoxgThvIcvkp1ofbqbpl46jGOOZwqtuh-GHh-EjWWlj5oYEKSpeDjZeCP6_ipZypUxTK

 

Fischer, Sara. Social media firms scramble to curb wartime misinformation. Axios Media Trends. October 17, 2023

 

https://www.axios.com/2023/10/17/social-media-israel-hamas?utm_source=newsletter&utm_medium=email&utm_campaign=newsletter_axiosam&stream=top

‘ଡ଼ିସନି’ର ‘ଫକ୍ସ’ ଅଧିଗ୍ରହଣ

ଯୁକ୍ତରାଷ୍ଟ୍ର ଆମେରିକାରେ ଗଣମାଧ୍ୟମ ବ୍ୟାବସାୟିକ ସଂଗଠନ ଡ଼ିସନି ଦ୍ୱାରା ଅନ୍ୟତମ ପ୍ରତିଦ୍ୱନ୍ଦୀ ଫକ୍ସର ଅଧିଗ୍ରହଣ ୨୦୧୭ ମସିହା ଶେଷପାଦରେ ଆନ୍ତର୍ଜାତିକ ଗଣମାଧ୍ୟମରେ ଏକ ନୂତନ ସମୀକରଣ ସୃଷ୍ଟି କରିଛି । ୧୪ ଡ଼ିସେମ୍ବର ୨୦୧୭ରେ ୱାଲଟ ଡ଼ିସନି କମ୍ପାନୀ ୨୧ସେଞ୍ଚୁରି ଫକ୍ସ ଇନକରପେରେସନ ବ୍ୟବସାୟର ଏକ ବୃହତ ଅଂଶ ପାଞ୍ଚ ହଜାର ୨୪୦ କୋଟି ମାର୍କିନ ଡ଼ଲାର ବିନିମୟରେ ଅଧିଗ୍ରହଣ କରିବା ଚୁଡ଼ାନ୍ତ ହୋଇଛି । ଆଗାମୀ ବର୍ଷେରୁ ଦେଢ଼ବର୍ଷ ଯାଏଁ ଆନ୍ତର୍ଜାତିକସ୍ତରରେ ବ୍ୟବସାୟ ହସ୍ତାନ୍ତର ପ୍ରକ୍ରିୟା ଚ଼ାଲୁ ରହିବ ବୋଲି କୁହାଯାଇଛି ।


 

ବିକଶିତ ରାଷ୍ଟ୍ରଗୁଡ଼ିକରେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ଇଣ୍ଟରନେଟ ଆଶ୍ରୟୀ ହେବାପରେ ଟେଲିଭିଜନ ଉପଭୋକ୍ତାମାନେ କ୍ରମଶଃ ଇଣ୍ଟରନେଟ ମଞ୍ଚ ଆଡ଼କୁ ମୁହାଁଉଥିବାବେଳେ ପାରମ୍ପରିକ ଟେଲିଭିଜନ ଚ୍ୟାନେଲଗୁଡ଼ିକର ରାଜସ୍ୱ କମି ଚାଲିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଛୋଟବଡ଼ ଟେଲିଭିଜନ କମ୍ପାନୀ ସମ୍ମିଳିତଭାବେ ଅନିଶ୍ଚିତ ଭବିଷ୍ୟତର ସାମ୍ନା କରିବାକୁ ଉଦ୍ୟମ ଚଳାଇଛନ୍ତି । ଡ଼ିସକଭରି କମ୍ୟୁନିକେସନସ ସ୍କ୍ରିପସ ନେଟୱାର୍କକୁ ଅଧିଗ୍ରହଣ କରିଥିବାବେଳେ ଟାଇମ ୱାରନର ଏଟିଏଣ୍ଡଟିକୁ ବିକ୍ରୀ ପ୍ରସ୍ତାବ ବିଚାରାଧୀନ ରହିଛି । ଫକ୍ସର ଏକ ହଜାର ୩୭୦ କୋଟି ମାର୍କିନ ଡ଼ଲାର ଋଣ ଅଧିଗ୍ରହଣ ଅବସରରେ ଡ଼ିସନି ବହନ କରିବ । ଯୁକ୍ତରାଷ୍ଟ୍ର ଆମେରିକା ବା ୟୁରୋପରେ ସୃଷ୍ଟ ଏହି ସମସ୍ୟା ଭାରତରେ ଏଯାଏଁ ପ୍ରତିଫଳିତ ହୋଇ ନଥିଲେ ହେଁ ଆଗାମୀ ତିନିରୁ ପାଞ୍ଚବର୍ଷମଧ୍ୟରେ ଆଶିଂକଭାବେ ସ୍ଥାନୀୟ ଗଣମାଧ୍ୟମକୁ ପ୍ରଭାବିତ କରିବା ଆଶଙ୍କା ଅମୂଳକ ନୁହେଁ ।


 

୨୧ସେଞ୍ଚୁରି ଫକ୍ସ ଇନକରପେରେସନର ମାଲିକ ରୁପର୍ଟ ମୁଦରୋଚ଼ । ଅଷ୍ଟ୍ରେଲିଆର ୮୬ ବର୍ଷ ବୟସ୍କ ରୁପର୍ଟ ନିଜ ଦେଶରେ ଗୋଟିଏ ସମ୍ବାଦପତ୍ର ପ୍ରକାଶନରୁ ଆରମ୍ଭ କରିଥିବା ଗଣମାଧ୍ୟମ ବ୍ୟବସାୟ ବିଗତ ତିନି ଦଶନ୍ଧି ମଧ୍ୟରେ ଆନ୍ତର୍ଜାତିକସ୍ତରରେ ବହୁ ଗଣମାଧ୍ୟମ ଓ ମନୋରଞ୍ଜନ ବ୍ୟବସାୟ ଅଧିଗ୍ରହଣକୁ ସଂପ୍ରସାରିତ ହୋଇପାରିଥିଲା । ବର୍ତ୍ତମାନ ସେ ସକ୍ରିୟ ବ୍ୟବସାୟରୁ ଓହରି ଯାଇଥିବା ବେଳେ ତାଙ୍କରି ପୁତ୍ର ୪୬ ବୟସ୍କ ଲେଚାନ ଓ ୪୪ ବର୍ଷ ବୟସ୍କ ଜେମସ ମୁଦରାଚ ତାଙ୍କରି ଗଣମାଧ୍ୟମ ସମ୍ରାଜ୍ୟର ପରିଚାଳନା କରୁଛନ୍ତି ।


 

ଚର୍ଚ୍ଚିତ ଅଧିଗ୍ରହଣରେ ଆନ୍ତର୍ଜାତିକସ୍ତରରେ ଫକ୍ସ ପରିଚାଳିତ ଏଫଏକ୍ସ, ନ୍ୟାସନାଲ ଜିଓଗ୍ରାଫିକ, ହଲିଉଡ଼ର ସିନେମା ଷ୍ଟୁଡ଼ିଓ, ୟୁରୋପର କେବଲ ଟେଲିଭିଜନ ସ୍କାଇ ଓ ଷ୍ଟାର ଇଣ୍ଡିଆ ଡ଼ିସନି ହାତକୁ ଚାଲିଯିବ । ମୁଦରାଚ ଫକ୍ସ ନିଉସ, ଫକ୍ସ ବ୍ରଡ଼କାଷ୍ଟ ଓ ଏଫଏସ ୧ସ୍ପେର୍ଟସ୍ ନେଟୱାର୍କ ଚ୍ୟାନେଲର ମାଲିକାନା ପରିଚାଳନା କରିବେ । ବର୍ତ୍ତମାନ ଡ଼ିସନିର କାର୍ଯ୍ୟଭାର ୬୬ ବର୍ଷ ବୟସ୍କ ବବ ଇଗର ଚଲାଉଛନ୍ତି । ତାଙ୍କରି କାର୍ଯ୍ୟକାଳ ୨୦୨୧ ଯାଏଁ ବଳବତ୍ତର ରହିଛି । ଫକ୍ସ ଅଧିଗ୍ରହଣ ପରେ ମୁଦରାଚ ପରିବାରରୁ କେହି ଯୁଗ୍ମ ପରିଚାଳନାରେ ନିଯୁକ୍ତ ହେବେ ନା ନାହିଁ ଏ ଯାଏଁ ସ୍ତିରୀକୃତ ହୋଇନାହିଁ ।


 

ଭାରତରେ ମୁଦରାଚ ସମାଜ୍ୟ ଷ୍ଟାର ଇଣ୍ଡିଆରେ ପର୍ଯ୍ୟବସିତ । ଏହାର ଅଧୀନରେ ୭୦ ଗୋଟି ଚ୍ୟାନେଲ ପ୍ରସାରିତ ହେଉଛି । ବାର୍ଷିକ ବ୍ୟବସାୟ ଆନୁମାନିକ ୧୧ ଶହରୁ ୧୪ ଶହ କୋଟି ଟଙ୍କା ଗଣନା କରାଯାଉଥିବାବେଳେ ଟିକସ ପୂର୍ବ ଲାଭ ୫୦ କୋଟି ବୋଲି କୁହାଯାଉଛି । ୨୦୨୦ ସୁଦ୍ଧା ଲାଭର ପରିମାଣ ଶହେ କୋଟିରେ ପହଞ୍ଚିବା ପୂର୍ବାନୁମାନ କରାଯାଉଛି । ଉଦୟ ଶଙ୍କର ଷ୍ଟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ୱରେ ରହିଛନ୍ତି ।


 

ଅପରପକ୍ଷେ ଭାରତରେ ଡ଼ିସନିର ଉପସ୍ଥିତି ଅତ୍ୟନ୍ତ ସଂକୁଚିତ । ଏହାର ଅଧୀନରେ ମାତ୍ର ଆଠଗୋଟି ଚ଼୍ୟାନେଲ ପ୍ରସାରିତ ହେଉଛି । ୧୯୯୩ରେ ଡ଼ିସନି ଭାରତରେ ପ୍ରବେଶ କରିଥିଲେ ହେଁ ୨୦୦୪ରେ ‘ଡ଼ିସନି’ ଓ ‘ଟୁନ’ ଚ଼୍ୟାନେଲ ପ୍ରସାରଣ ଆରମ୍ଭ କରିଥିଲା । ରୋନି ସ୍କୃୱାଲାଙ୍କ ୟୁଟିଭି ଅଧିଗ୍ରହଣ ପରେ ଚଳଚ଼ିତ୍ର ନିର୍ମାଣ ଏବଂ ହଲିଉଡ଼ ଚଳଚ଼ିତ୍ର ବିତରଣରେ ମନୋନିବେଶ କରିଥିଲା ।‘ଦଙ୍ଗଲ’ ଭଳି ଚଳଚ଼ିତ୍ର ବକ୍ସ ଅଫିସରେ ସଫଳତା ପାଇଥିବାବେଳେ ‘ଜଗା ଜାସୁସ’ ପାଇଁ ବିଫଳତା ସ୍ୱୀକାର କରିବାକୁ ପଡ଼ିଥିଲା । ମହେଶ ସାମନ୍ତ ଡ଼ିସନି ଇଣ୍ଡିଆର ପରିଚ଼ାଳନା ନିର୍ଦ୍ଦେଶକ ପଦାସୀନ ।


 

ଡ଼ିସନି ଦ୍ୱାରା ଷ୍ଟାର ଇଣ୍ଡିଆର ଅଧିଗ୍ରହଣ ପରେ ସ୍ଥାନୀୟ ଟେଲିଭିଜନ ପ୍ରସାରଣରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଶା କରାଯାଇପାରେ । ଷ୍ଟାର ଇଣ୍ଡିଆ ଦେଶରେ ଘରୋଇ ଟେଲିଭିଜନ ପ୍ରସାରଣ ଉନ୍ମେଷକାଳରୁ ଜଡ଼ିତଥିବା ତଥା ସୃଜନ ଦୃଷ୍ଟିରୁ ଅନ୍ୟମାନଙ୍କୁ ପ୍ରଭାବିତ କରିଆସୁଥିବା ପରମ୍ପରା ପରିବର୍ତ୍ତିତ ପରିସ୍ଥିତିରେ କେତେଦୂର ନେତୃତ୍ୱ ଜାହିର କରିବାରେ ସମର୍ଥ ହେବ ତାହା ସମୟ କହିବ । ଷ୍ଟାର ଇଣ୍ଡିଆ ଅଧୀନରେ ଇଣ୍ଟରନେଟଭିତ୍ତିକ ‘ହଟଷ୍ଟାର’ ଓ ଡ଼ାଇରେକ୍ଟ-ଟୁ-ହୋମ ‘’ଟାଟା ସ୍କାଇ’ରେ ୨୦ ପ୍ରତିଶତ ଅଂଶଧନ ରହିଛି । ଏଥିଯୋଗୁଁ ଭାରତରେ ଭିଡ଼ିଓ-ଅନ-ଡ଼ିମାଣ୍ଡ ଓ ଡ଼ିଟିଏଚ଼ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନର ଆଶଙ୍କା ରହିଛି ।


 

ଇଣ୍ଟରନେଟର ବିସ୍ତୃତିପରେ ମୋବାଇଲ ଫୋନ ଯୋଗେ ଭିଡ଼ିଓ ଆହରଣ ସାଙ୍ଗକୁ କ୍ଳାଉଡ଼-କମ୍ପ୍ୟୁଟିଂ ପ୍ରଭାବରେ ଅସୀମିତ ଡ଼ାଟା ଗଚ୍ଛିତ ରଖିବାର ସୁବିଧା ତଥା ସାମାଜିକ ଗଣମାଧ୍ୟମ ମଞ୍ଚରେ ଲାଇଭ ଷ୍ଟ୍ରିମିଂ ସୁଯୋଗ ପାରମ୍ପରିକ ଟେଲିଭିଜନ ପ୍ରସାରଣକୁ ପ୍ରଭାବିତ କରିବା ସ୍ୱାଭାବିକ । ୨୦୧୧ରେ ମୁଦରୋଚ ପରିଚ଼ାଳିତ ଲଣ୍ଡନରୁ ପ୍ରକାଶିତ ସାପ୍ତାହିକ ‘ନିଉଜ ଅଫ ଦି ୱାର୍ଲଡ଼’ରେ ଫୋନ-ହ୍ୟାକିଂ ଅଭିଯୋଗ ପ୍ରମାଣିତ ହେବା ପରଠାରୁ କ୍ରମାଗତଭାବେ ସଂପୃକ୍ତ ସଂସ୍ଥାର ଅଧଃପତନ ଲକ୍ଷ୍ୟ କରାଯାଇପାରେ । ଅପରପକ୍ଷେ ‘ନ୍ୟୂୟର୍କର’ର  ୧୫ ଡ଼ିସେମ୍ୱର ୨୦୧୭ ଡ଼ିଜିଟାଲ ସଂସ୍କରଣରେ ବିଗତ ଚାରି ଦଶନ୍ଧି ଧରି ଲେଖାଲେଖି କରୁଥିବା ବରିଷ୍ଠ ସାମ୍ୱାଦିକ କେନ ଆଉଲଟା କହିଛନ୍ତି ଯେ ରୁପର୍ଟଙ୍କ ଦୁଇ ପୁତ୍ର ଲେଚ଼ାନ ଓ ଜେମସଙ୍କ ମଧ୍ୟରେ ଉତ୍ତରାଧିକାରୀ ଚ଼ୟନ ସମସ୍ୟାରୁ ବର୍ତ୍ତିଯିବା ପାଇଁ ପିତା ରୁପର୍ଟ ଫକ୍ସର ବଡ଼ ଭାଗଟିଏ ବିକ୍ରୀ କରିଦେଉଛନ୍ତି ।


 

ଡ଼ିସନି ଦ୍ୱାରା ଫକ୍ସ ଅଧିଗ୍ରହଣ ତଥା ବିକଶିତ ରାଷ୍ଟ୍ରଗୁଡ଼ିକରେ ପାରମ୍ପରିକ ଟେଲିଭିଜନ ସଂଗଠନଗୁଡ଼ିକର ବ୍ୟାବସାୟିକ ଏକତ୍ରୀକରଣରୁ ଯଦି ଓଡ଼ିଆ ଟେଲିଭିଜନର କିଛି ଶିଖିବାର ଅଛି ତାହା ହେଲା ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଗଭୀର ଆଞ୍ଚଳିକତା ବା ହାଇପର ଲୋକାଲାଇଜେସନ ଆଡ଼କୁ ମୁହାଁଇବା, ଖର୍ଚ୍ଚକାଟ ଲକ୍ଷ୍ୟରେ ନୂତନ କାରିଗରୀ କୌଶଳ ଉପଯୋଗ ଏବଂ କର୍ମଚ଼ାରୀଙ୍କ ମଧ୍ୟରେ ସର୍ଜନଶୀଳତା ତଥା ବୈଷୟିକ ତାଲିମ ପ୍ରତି ପ୍ରାଧାନ୍ୟ ଦେବା ଇତ୍ୟାଦି । ଅର୍ନ୍ତରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ଅଧିଗ୍ରହଣରୁ ବର୍ତ୍ତିବା ନିମନ୍ତେ ଆଞ୍ଚଳିକସ୍ତରରେ ପ୍ରଭାବ ବିସ୍ତାର, ରାଜସ୍ୱହାନୀ ଆଶଙ୍କାରେ ଖର୍ଚ୍ଚକାଟ ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ନୂତନତ୍ୱର ଉପଯୋଗ ଉଦ୍ୟମ ସ୍ଥାନୀୟ ସଂଗଠନଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ସାଙ୍ଗକୁ ସୁରକ୍ଷିତ ରଖିପାରିବା ଆଶା କରାଯାଇପାରେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୨ ଡ଼ିସେମ୍ୱର ୨୦୧୭

ପୁଲିଜାର ପୁରସ୍କାର ୨୦୨୨

ଆନ୍ତର୍ଜାତିକସ୍ତରରେ ଯୁକ୍ତରାଷ୍ଟ୍ର ଆମେରିକାର କଲମ୍ୱିଆ ବିଶ୍ୱବିଦ୍ୟାଳୟ ସାଂବାଦିକତା ବିଭାଗ କର୍ତ୍ତୃତ୍ୱ ପରିଚାଳିତ ସାମ୍ୱାଦିକତା ଓ ସୃଜନରେ ଉତ୍କର୍ଷ ନିମନ୍ତେ ବାର୍ଷିକ ପୁଲିଜର ପୁରସ୍କାର ଗୁରୁତ୍ୱ ବହନ କରିଥାଏ । ହଙ୍ଗେରୀ ବଂଶୋଦ୍ଭବ ଜୋସେଫ ପୁଲିଜର ନାମକ ଜଣେ ଆମେରେକୀୟ ସମ୍ୱାଦପତ୍ର ପ୍ରକାଶକ ୧୯୧୧ରେ ମୃତ୍ୟୁ ପୂର୍ବରୁ କଲମ୍ୱିଆ ବିଶ୍ୱବିଦ୍ୟାଳୟରେ ସାମ୍ୱାଦିକତା ଶିକ୍ଷାୟତନ ପ୍ରତିଷ୍ଠା ଓ ସାମ୍ୱାଦିକତାରେ ଉତ୍କର୍ଷକୁ ପ୍ରୋତ୍ସାହନ ସକାଶେ ପୁରସ୍କାର ପ୍ରଦାନ ନିମନ୍ତେ ବିପୁଳ ଧନରାଶି ଦାନ କରିଥିଲେ । ସେହିକ୍ରମରେ ୧୯୧୨ରେ ପୁଲିଜର ପୁରସ୍କାର ସମିତି ଗଠିତ ହୋଇ ୧୯୧୭ରୁ ନିୟମିତ ପୁରସ୍କାର ପ୍ରଦାନର ବ୍ୟବସ୍ଥା ପ୍ରଚଳିତ । ପୁଲିଜର ସମିତିରେ ୧୯ ଜଣ ସଦସ୍ୟଙ୍କ ମଧ୍ୟରେ ପାଞ୍ଚଜଣ ଶିକ୍ଷାବିତଙ୍କ ସମେତ ଆମେରିକାର ଖ୍ୟାତନାମା ସାମ୍ୱାଦିକ, ସମ୍ପାଦକ ଓ ପ୍ରକାଶକମାନେ ସାମିଲ ହୋଇଥାନ୍ତି । ‘କଲମ୍ୱିଆ ଜର୍ଣ୍ଣାଲିଜମ ସ୍କୁଲ’ର ଅଧ୍ୟକ୍ଷ ସମିତିର ପରିଚାଳନା କରିଥାନ୍ତି ।

 

ପୁଲିଜର ପୁରସ୍କାର ୨୦୨୨ ମେ’ ୯ ତାରିଖ ଦିନ ଘୋଷିତ ହୋଇଥିଲା । ସର୍ବାପେକ୍ଷା ମର୍ଯ୍ୟଦାବନ୍ତ ଲୋକସେବା ‘ପବ୍ଳିକ ସର୍ଭିସ’ ପୁରସ୍କାର ‘ଦି ୱାଶିଂଟନ ପୋଷ୍ଟ’ ସାମ୍ୱାଦିକମାନଙ୍କୁ ସାମୂହିକଭାବେ ପ୍ରଦାନ କରାଯାଇଥିଲା । ଅବଶ୍ୟ ଏଥିପୂର୍ବରୁ ସଂବାଦପତ୍ରଟି ସେହି ପର୍ଯ୍ୟାୟରେ ୧୯୭୩, ୧୯୯୯, ୨୦୦୦, ୨୦୦୮ ଓ ୨୦୧୪ରେ ପାଞ୍ଚଥର ବିଜେତା ଘୋଷିତ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ସାଂସଦ ଭବନ ‘କ୍ୟାପିଟଲ’ ଉପରେ ପୂର୍ବତନ ରାଷ୍ଟ୍ରପତି ସମର୍ଥକଙ୍କ ଆକ୍ରମଣ ସଂପର୍କରେ ୨୦୨୧ ଜାନୁୟାରୀ ୬ ତାରିଖ ପ୍ରଭାତରୁ ବର୍ଷ ଶେଷ ଯାଏ ଅବିଶ୍ରାନ୍ତ ପ୍ରାୟ ଏକ ବର୍ଷ ଧରି ପରିବେଷିତ ସତ୍ୟାଶ୍ରିତ ସାମ୍ୱାଦିକତାକୁ ସମ୍ମାନ ଜଣାଇ ପୁଲିଜର ପୁରସ୍କାର ୨୦୨୨ ପ୍ରଦାନ କରାଯାଇଥିଲା ।

 

ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ମାର୍କିନ ଗଣତନ୍ତ୍ର ପ୍ରତି ଏହି ନଗ୍ନ ଆକ୍ରମଣ ଘଟିବା ପୂର୍ବରୁ, ଘଟିବା ବେଳେ ଏବଂ ଘଟିବା ପରେ ସମ୍ୱାଦପତ୍ର ପକ୍ଷରୁ ସମ୍ୱାଦ ପ୍ରକାଶନ ଜାରି ରହିଥିଲା । ‘ଦି ୱାଶିଂଟନ ପୋଷ୍ଟ’ ୧୯୭୩ରେ ‘ୱାଟରଗେଟ’ ମନ୍ତ୍ରଣା, ୨୦୦୦ରେ ଏକ ମାନସିକ ଚ଼ିକିତ୍ସାକେନ୍ଦ୍ରରେ ଅବ୍ୟବସ୍ଥା ଏବଂ ୨୦୧୪ରେ ‘ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସି’ର ଗୋପନ ତଥ୍ୟ ସଂଗ୍ରହ ଭଳି ଘଟଣାଗୁଡ଼ିକର ପର୍ଦ୍ଦାଫାସ କରି ପୁରସ୍କୃତ ହୋଇଥିଲା ।

 

ସ୍ୱତନ୍ତ୍ର ପୁରସ୍କାର ବର୍ଗରେ ୟୁକ୍ରେନର ସାମ୍ୱାଦିକ ଓ ଆଫଗାନିସ୍ତାନର ସମ୍ୱାଦକର୍ମୀଙ୍କୁ ପୁଲିଜର ପୁରସ୍କାର ୨୦୨୨ରେ ସମ୍ମାନିତ କରାଯାଇଥିଲା । ଋଷ ଆକ୍ରମଣ କାଳରେ ୟୁକ୍ରେନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କ ଧୈର୍ଯ୍ୟ, ସାହସ ଓ ପ୍ରତିବଦ୍ଧତାର ଭୂୟସୀ ପ୍ରଶାଂସା କରି ଯୁଦ୍ଧ ସଂପର୍କୀତ ଅସତ୍ୟ ସମ୍ୱାଦ ପ୍ରସାରଣର ସଫଳ ମୁକାବିଲା ଲାଗି ସାଧୁବାଦ ଜଣାଯାଇଥିଲା । ସେହିପରି ଆଫଗାନିସ୍ତାନରେ ଦୀର୍ଘକାଳ ଧରି ଅରାଜକତା ଲାଗିରହିଥିବା ସ୍ଥଳେ ସମ୍ୱାଦ ପ୍ରସାରଣ କାର୍ଯ୍ୟରତ ସାମ୍ୱାଦିକଙ୍କ ସହ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କ ଥଇଥାନ ନିମନ୍ତେ ଏକ ଲକ୍ଷ ଆମେରେକୀୟ ଡ଼ଲାର ‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ ଜରିଆରେ ସହାୟତା ବନ୍ଦୋବସ୍ତ ହୋଇଥିଲା । ବ୍ୟକ୍ତିଗତ ସୁରକ୍ଷାକୁ ବିପନ୍ନ କରି ବିପଦସଂକୁଳ ପରିବେଶରେ ସମ୍ୱାଦ ପରିବେଷଣରେ ଦକ୍ଷତା ଲାଗି ପୁଲିଜର ସମିତି ପକ୍ଷରୁ ପ୍ରଶଂସାପତ୍ର ଜାରି କରାଯାଇଥିଲା ।

 

ଫିଚ଼ର ଫୋଟୋଗ୍ରାଫି ବର୍ଗରେ ଭାରତରେ ‘ରଏଟର’ ସମ୍ୱାଦ ସରବରାହ ସଂସ୍ଥା ସହ ସଂପୃକ୍ତ ଚାରିଜଣ ସାମ୍ୱାଦିକଙ୍କୁ ‘କୋଭିଡ଼-୧୯’ ମହାମାରୀ ସଂପର୍କୀତ ଚ଼ିତ୍ର ଉତ୍ତୋଳନ ନିମନ୍ତେ ପୁରସ୍କୃତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଆଫଗାନିସ୍ତାନ ଗୃହଯୁଦ୍ଧରେ କର୍ମକ୍ଷେତ୍ରରେ ନିହତ ଦାନିଶ ସିଦ୍ଦିକୀଙ୍କ ସମେତ ଆଦନାନ ଆବଦୀ, ଅମିତ ଦାଭେ ଓ ସାନା ଇସରାଦ ମାଟ୍ଟୋ ଅନ୍ତର୍ଭୁକ୍ତ । ଆଦନାନ ଆବଦୀ ‘ରଏଟର’ରେ ୨୦୦୫ରେ ଯୋଗଦେବା ପୂର୍ବରୁ ‘ପାନ-ଏସିଆ ନିଉଜ ଏଜେନ୍ସି’ରେ ନିଯୁକ୍ତ ଥିଲେ । ସେ ମିଆଁମାରର ରୋହିଙ୍ଗା ଶାରଣାର୍ଥୀଙ୍କ ଦୟନୀୟ ସ୍ଥିତି ଫୋଟୋଗ୍ରାଫି କରି ୨୦୧୮ରେ ଦାନିଶ ସିଦ୍ଦକୀଙ୍କ ସହ ପୁଲିଜର ପୁରସ୍କାର ପାଇଥିଲେ ।

 

ଆମିତ ଦାବେ ପୂର୍ବରୁ ‘ଦି ଇଣ୍ଡିଆନ ଏକ୍ସପ୍ରେସ’ରେ ସାମ୍ୱାଦିକଭାବେ କାର୍ଯ୍ୟରତ ଥିଲେ । ସେ ୨୦୦୨ରେ ରଏଟରରେ ଯୋଗ ଦେବାପରେ ଗୁଜରାଟ ଦଙ୍ଗା ଓ ଭୂମିକମ୍ପର ଚ଼ିତ୍ର ଉତ୍ତୋଳନ କରି ଚର୍ଚ୍ଚିତ ହୋଇଥିଲେ । ସାନା ଏସରାଜ ମାଟ୍ଟୋ କାଶ୍ମୀର ବାସିନ୍ଦା । ମୁଖ୍ୟତଃ ସେଠାକାର ସଂଘର୍ଷପୂର୍ଣ୍ଣ ପରିବେଶ ସଂପର୍କୀତ ଚ଼ିତ୍ର ଉତ୍ତୋଳନ କରି ‘ରଏଟର’ ସମେତ ଦେଶବିଦେଶର ବିଭିନ୍ନ ସମ୍ୱାଦ ମଞ୍ଚକୁ ଯୋଗାନ୍ତି ।

 

ଫିଚ଼ର ରାଇଟିଂ ବର୍ଗରେ ଆମେରିକାର ଖ୍ୟାତନାମା ମାସିକ ପତ୍ରିକା ‘ଆଟଲାଣ୍ଟିକ’ର ଷ୍ଟାଫ ରାଇଟର ଜେନିଫର ସିନିୟର ପୁଲିଜର ପୁରସ୍କାର ୨୦୨୨ ପାଇଥିଲେ । ନ୍ୟୂୟର୍କ ଅଟ୍ଟାଳିକାରେ ସନ୍ତ୍ରାସବାଦୀଙ୍କ ବୋମାମାଡ଼ ପରେ ଏହି ଘଟଣାରେ ଆତ୍ମୀୟସ୍ୱଜନଙ୍କୁ ହରାଇଥିବା ଏକ ପରିବାରର କୋଡ଼ିଏ ବର୍ଷ ଧରି ଶୋକାନୁଭୂତି ‘ଟ୍ୱାଣ୍ଟି ଇୟରର୍ସ ଗନ’ ନାମକ ଫିଚରରେ ବର୍ଣ୍ଣନା କରିଥିଲେ । ଜେନିଫର ଏକ ଲୋକପ୍ରିୟ ଲେଖିକା । ତାଙ୍କ ଦ୍ୱାରା ରଚିତ ‘ଅଲ ଜୟ ଏଣ୍ଡ ନୋ ଫନ : ଦି ପାରାଡ଼କ୍ସ ଅଫ ମଡ଼ର୍ଣ୍ଣ ପେରେଣ୍ଟହୁଡ଼’ ‘ଦି ନ୍ୟୂୟର୍କ ଟାଇମ୍ସ’ ବେଷ୍ଟ-ସେଲର-ଲିଷ୍ଟରେ ଆଠ ସପ୍ତାହ ରହିଥିଲା । ସେ ନ୍ୟୂୟର୍କ ବାସିନ୍ଦା ।

 

ପୁଲିଜର ପୁରସ୍କାର ୨୦୨୨ର ଉଲ୍ଲେଖଯୋଗ୍ୟ ଘଟଣାକ୍ରମରେ ଆମେରିକାର କେତେଗୋଟି କ୍ଷୁଦ୍ର ସମ୍ୱାଦପତ୍ରକୁ ଆଞ୍ଚଳିକ ସାମ୍ୱାଦିକତା ‘ଲୋକାଲ ଜର୍ଣ୍ଣାଲିଜମ’ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୁରସ୍କୃତ କରିବା ଅନ୍ୟତମ । ସାମ୍ୱାଦିକତାରେ ଉତ୍କର୍ଷ ନିମନ୍ତେ ପ୍ରଦତ୍ତ ୧୫ ଗୋଟି ପୁରସ୍କାର ମଧ୍ୟରୁ ପାଞ୍ଚଗୋଟି ଆଞ୍ଚଳିକ ସମ୍ୱାଦ ମଞ୍ଚ ଅନ୍ତର୍ଭୁକ୍ତ ରହିଥିଲେ । ମିଆମି ହେରାଲଡ଼, ତାମ୍ପା-ବେ ଟାଇମ୍ସ, ଚିକାଗୋ ଟ୍ରିବ୍ୟୁନ, କାନସ ସିଟି ଷ୍ଟାର ଓ ହାଉଷ୍ଟନ କ୍ରୋନିକାଲ ଭଳି ସମ୍ୱାଦ ମଞ୍ଚରେ ଆଞ୍ଚଳିକ ସମସ୍ୟା ଉତଥାପନରେ ଦକ୍ଷତା ଓ ଉତ୍କର୍ଷତା ନିମନ୍ତେ ପୁରସ୍କୃତ କରାଯାଇଥିଲା । ଏକ ବ୍ୟାଟେରୀ ରି-ସାଇକ୍ଳେନିଂ ପ୍ଳାଣ୍ଟ ପ୍ରଦୂଷଣଠାରୁ ଆରମ୍ଭ କରି ଅଗ୍ନି-ପ୍ରତିଷେଧକ ବ୍ୟବସ୍ଥାରେ ତୃଟି ଓ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସମସ୍ୟା ଭଳି ଘଟଣାବଳୀ ଆଞ୍ଚଳିକ ସମ୍ୱାଦ ମଞ୍ଚଗୁଡ଼ିକରେ ଚର୍ଚ୍ଚିତ ହୋଇଥିଲା ।

 

ପୁଲିଜର ପୁରସ୍କାର ପ୍ରବର୍ତ୍ତକ ଜୋସଫ ପୁଲିଜରଙ୍କ ମାଲିକନାରେ ପରିଚାଳିତ ‘ସେଣ୍ଟ ଲୁଇସ ପୋଷ୍ଟ ଡେସପାଚ଼’ ଓ ‘ନ୍ୟୂୟର୍କ ୱାର୍ଲ୍ଡ’ ଊନବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ଚାଞ୍ଚଲ୍ୟକାରୀ ‘ୟେଲୋ ଜର୍ଣ୍ଣାଲିଜମ’ର ପ୍ରବର୍ତ୍ତକ ଭାବେ ଚ଼ିହ୍ନିତ । ସେ ବ୍ୟବସାୟରେ କ୍ଷତି ସହୁଥିବା ସମ୍ୱାଦପତ୍ରଗୁଡ଼ିକ ଅଧିଗ୍ରହଣକରି ପ୍ରସାର ସଂଖ୍ୟା ଅଭିବୃଦ୍ଧିରେ ବିଜ୍ଞାପନ ଆୟ ବୃଦ୍ଧିଲାଗି ରଣନୀତି ନିର୍ଦ୍ଧାରଣରେ ସିଦ୍ଧହସ୍ତ ଥିଲେ । ପୁଲିଜର ୧୮୯୨ ମସିହାରେ କଲମ୍ୱିଆ ବିଶ୍ୱବିଦ୍ୟାଳୟକୁ ବିଶ୍ୱର ପ୍ରଥମ ସାମ୍ୱାଦିକତା ଶିକ୍ଷାୟତନ ପ୍ରତିଷ୍ଠା ନିମନ୍ତେ ଅର୍ଥ ପ୍ରଦାନ ନିମନ୍ତେ ପ୍ରସ୍ତାବ ଦେଇଥିଲେ । କିନ୍ତୁ ବିଭିନ୍ନ କାରଣ ମଧ୍ୟରେ ପୁଲିଜରଙ୍କ  କାମଳ ସାମ୍ୱାଦିକତା ଖ୍ୟାତି ହେତୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତ୍ୟାଖ୍ୟାନ କରିଦିଆ ଯାଇଥିଲା । ତେବେ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ବଦଳିବା ପରେ ୧୯୦୨ରେ ପୁଲିଜରଙ୍କ ପ୍ରସ୍ତାବରେ ନୀତିଗତ ରାଜି ହୋଇଥିଲେହେଁ ୬୪ ବର୍ଷରେ ମୃତ୍ୟୁ ଯାଏଁ  କାର୍ଯ୍ୟକାରୀ ହୋଇପାରି ନଥିଲା । କୁହାଯାଏ ଯେ ପୁଲିଜର ଅତ୍ୟନ୍ତ ଅଧ୍ୟବସାୟୀଥିଲେ ଏବଂ ପ୍ରତିଦିନ ସକାଳ ୧୦ରୁ ରାତି ଦୁଇଟା ଯାଏଁ ୧୬ ଘଣ୍ଟା କାର୍ଯ୍ୟବ୍ୟସ୍ତ ରହୁଥିଲେ ।

 

ଜୋସଫ ପୁଲିଜରଙ୍କ ସମ୍ୱାଦ ମଞ୍ଚ ଉଦ୍ୟୋଗୀଙ୍କ ନିମନ୍ତେ ଏକ ଉଦାହରଣ ହୋଇ ରହିବ । ସମ୍ୱାଦ ମଞ୍ଚରେ ସଫଳତା ନିମନ୍ତେ ପରିଶ୍ରମ, ବ୍ୟାବସାୟିକ ସଫଳତା ନିମନ୍ତେ ରଣନୀତି ସାଙ୍ଗକୁ ଲାଭାଂଶ ସାମ୍ୱାଦିକତାରେ ଉତ୍କର୍ଷ ବିକାଶକଳ୍ପେ  ବିନିଯୋଗ ପୁଲିଜରଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ । ପୁଲିଜର ପୁରସ୍କାର ବିଶ୍ୱବ୍ୟାପୀ ଗୁଣାତ୍ମକ ସାମ୍ୱାଦିକତା ବିକାଶର ମାପକାଠି ରୂପେ ସ୍ୱୀକୃତ । ସାମ୍ୱାଦିକତାରେ ଉତ୍କର୍ଷକୁ ପ୍ରୋତ୍ସାହନ ଗୁଣାତ୍ମକ ସାମ୍ୱାଦିକତା ପ୍ରସାରରେ ଯେ ସହାୟକ ହୋଇଥାଏ ଏଥିରେ ଦ୍ୱିମତ ନାହିଁ ।

 

ଫିଚର ଫୋଟୋଗ୍ରାଫି ନିମନ୍ତେ ପୁଲିଜର ପୁରସ୍କାର ୨୦୨୨ ପ୍ରାପ୍ତ ଭାରତୀୟ ଫୋଟୋଗ୍ରାଫରଙ୍କ ନମୂନା କୃତୀ ନିମ୍ନ ଲିଙ୍କରେ ଉପଲବ୍ଧ :

 

https://www.pulitzer.org/winners/adnan-abidi-sanna-irshad-mattoo-amit-dave-and-late-danish-siddiqui-reuters

 

‘ଦି ୱାଶିଂଟନ ପୋଷ୍ଟ’ର ପୁଲିଜର ପୁରସ୍କାର ୨୦୨୨ ସଂପର୍କରେ ଭିଡ଼ିଓ ଦେଖନ୍ତୁ :

 

“Inside The Post’s 2022 Pulitzer Prize win for Jan 6 coverage” on YouTube

 

https://www.youtube.com/watch?v=Ra0NqBqCTIg  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ମେ ୨୦୨୨


ତଥ୍ୟ :


Local news Pulitzer winners highlight value of community reporting – Poynter

 

https://www.poynter.org/reporting-editing/2022/local-news-pulitzer-winners-highlight-value-of-community-reporting/?utm_medium=email&utm_source=gsan&utm_campaign=gsan-may17-2022&emci=7c68e230-55d5-ec11-b656-281878b8c32f&emdi=90ff27b0-e9d5-ec11-b656-281878b8c32f&ceid=2591425


ବ୍ରାଉନ ଏନଭୋଲପ ଜର୍ଣ୍ଣାଲିଜମ

ଅର୍ଥ ବିନିମୟରେ ସାମ୍ୱାଦିକମାନଙ୍କୁ ପ୍ରଭାବିତ କରି ସମ୍ୱାଦ ମଞ୍ଚରେ ସକାରାତ୍ମକ ସମ୍ୱାଦ ପରିବେଷଣ ତଥା ନକାରାତ୍ମକ ସମ୍ୱାଦ ପ୍ରକାଶନ ବାରଣ ପ୍ରଥା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ । ପଞ୍ଚଦଶ ଶତାଦ୍ଦୀ ମଧ୍ୟଭାଗରେ ମୁଦ୍ରଣ ଯନ୍ତ୍ର ଉଦ୍ଭାବନ ଏବଂ ପରବର୍ତ୍ତୀ ଦୁଇ ଶହ ବର୍ଷ ମଧ୍ୟରେ ୟୁରୋପ ଓ ବ୍ରିଟେନରେ ମୁଦ୍ରିତ ସମ୍ୱାଦପତ୍ରର ଉନ୍ମେଷ କାଳରୁ ସମ୍ୱାଦ ପ୍ରକାଶନ ନିୟନ୍ତ୍ରଣରେ ଅର୍ଥ ଦେଣନେଣର ଉଦାହରଣ ଇତିହାସ ପୃଷ୍ଠାରେ ଲିପିବଦ୍ଧ । ପରବର୍ତ୍ତୀ ପର୍ଯ୍ୟାୟରେ ଟେଲିଭିଜନ ଓ ଅନ-ଲାଇନ ସମ୍ୱାଦ ମଞ୍ଚର ପ୍ରସାର ସମୟରେ ମଧ୍ୟ ସେହି ପ୍ରବାହ ବଳବତ୍ତର ରହି ଆସିଛି । ଅବଶ୍ୟ ଏତାଦୃଶ ଆର୍ଥିକ କାରବାର ସମ୍ୱାଦ ସୂତ୍ର ଓ ସାମ୍ୱାଦିକଙ୍କ ମଧ୍ୟରେ ଗୋପନୀୟଭାବେ ସମାହିତ ହେଉଥିବା ତଥା ପ୍ରାମାଣିକ ତଥ୍ୟ ଅଭାବ ହେତୁ ସାମ୍ୱାଦିକତା ଅଧ୍ୟୟନରେ ପ୍ରାୟ ଚର୍ଚ୍ଚାର ପରିସରଭୁକ୍ତ ହୋଇପାରିନଥାଏ ।

 

ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ମଧ୍ୟଭାଗରୁ ମୁଖ୍ୟତଃ ଆଫ୍ରିକାରେ ସାମ୍ୱାଦିକଙ୍କୁ ତୁଷ୍ଟିକରଣ ସଂପର୍କରେ ଗଣମାଧ୍ୟମ ଗବେଷକଙ୍କ ସହ ସାମ୍ୱାଦିକ ଓ ସାମ୍ୱାଦିକତା ବୃତ୍ତିଗତ ସଂଗଠନ ପକ୍ଷରୁ ପ୍ରକାଶ୍ୟରେ ସମାଲୋଚ଼ନା ଆଲୋଡ଼ନ ସୃଷ୍ଟି କରିଥିଲା । ସମ୍ୱାଦସୂତ୍ର ପକ୍ଷରୁ ସମ୍ୱାଦଦାତାଙ୍କୁ ଅର୍ଥ ପ୍ରଦାନ ‘ବ୍ରାଉନ ଏନଭୋଲପ ଜର୍ଣ୍ଣାଲିଜମ’ ଭାବେ ପରିଚ଼ିତ । ଅବଶ୍ୟ ଏହି ଶବ୍ଦର ଉତ୍ସ ବ୍ରିଟେନକୁ ବ୍ୟାପ୍ତ । ସେଠାକାର ଏକ ପ୍ରସିଦ୍ଧ ଡ଼ିପାର୍ଟମେଣ୍ଟାଲ ଷ୍ଟୋରର ମାଲିକ ହାଉସ ଅଫ କମନସରେ ତାଙ୍କରି ବ୍ୟାବସାୟିକ ସ୍ୱାର୍ଥ ସଂବଳିତ ପ୍ରଶ୍ନ ପଚାରିବା ନିମନ୍ତେ ଜଣେ ମେମ୍ୱର ଅଫ ପାର୍ଲାମେଣ୍ଟଙ୍କୁ ଏକ ମାଟିଆ ଲଫାପାରେ ଅର୍ଥ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ଖ୍ୟାତନାମା ସମ୍ୱାଦପତ୍ର ‘ଗାର୍ଡିଆନ’ରେ ୧୯୯୪ରେ ଏହି ସମ୍ୱାଦ ପ୍ରକାଶ ପାଇବା ପରେ ମାଟିଆ ଲଫାପା ବା ବ୍ରାଉନ ଏନଭୋଲପ ଦୁର୍ନୀତି ପାଇଁ ଅର୍ଥ ନେଣଦେଣର ପ୍ରତୀକ ରୂପେ କୁଖ୍ୟାତି ଲାଭ କରିଥିଲା ।

 

ଆଫ୍ରିକା ମହାଦେଶର ନାଇଜେରିଆ, ଘାନା, ଇଥୋପିଆ, ଉଗାଣ୍ଡା, ଜିମ୍ୱାୱେ, ଡ଼େମୋକ୍ରାଟିକ ରିପବ୍ଳିକ ଅଫ କଙ୍ଗୋ ଓ ଦକ୍ଷିଣ ଆଫ୍ରିକା ଇତ୍ୟାଦି ରାଷ୍ଟ୍ରରେ ‘ବ୍ରାଉନ ଏନଭୋଲପ ଜର୍ଣ୍ଣାଲିଜମ’ ପ୍ରଚଳିତ । ଜିମ୍ୱାୱେର ‘ଦି ଷ୍ଟାଣ୍ଡାର୍ଡ’ରେ କାର୍ଯ୍ୟରତ ଜଣେ ମହିଳା ସାମ୍ୱାଦିକ ନାରାଡ଼ୋଜା ନାୟେରେ ୨୦୨୨ ଜାନୁୟାରୀ ମାସରେ ଏକ ଅନୁସନ୍ଧାନମୂଳକ ସମ୍ୱାଦ ପ୍ରକାଶନରୁ କ୍ଷାନ୍ତ ରହିବା ନିମନ୍ତେ ଏକ ବୃହତ ଶିଳ୍ପ ପ୍ରତିଷ୍ଠାନପକ୍ଷରୁ ଚାପ ପ୍ରୟୋଗ କରାଯାଇଥିବା ବିଶଦ ବିବରଣୀ ଉପସ୍ଥାପିତ କରିଥିଲେ । ଏହି ଘଟଣା ଆଫ୍ରିକାରେ ‘ବ୍ରାଉନ ଏନଭେଲାପ ଜର୍ଣ୍ଣାଲିଜମ’ର ବ୍ୟାପ୍ତି ସଂପର୍କରେ ଆନ୍ତର୍ଜାତିକ ଗଣମାଧ୍ୟମ ପରିସରରେ ଚର୍ଚ୍ଚାର ପରିବେଶ ସୃଷ୍ଟି କରିଥିଲା ।

 

ନାୟେରେ ୨୦୨୧ ଶେଷ ପାଦରେ ଜିମ୍ୱାୱେର ଏକ ତମାଖୁ କମ୍ପାନୀ ଠିକା ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନରେ ହଇରାଣ ହରକତ କରୁଥିବା ଖବର ପାଇଥିଲେ । ଏ ସଂପର୍କରେ ଚାଷୀମାନଙ୍କ ଅଭିଯୋଗ ଶୁଣିବାପରେ ସଂପୃକ୍ତ କାରଖାନାର ଆଭିମୁଖ୍ୟ ଜାଣିବା ନିମନ୍ତେ ଯୋଗସୂତ୍ର ସ୍ଥାପନ କରିଥିଲେ । କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କ ସହ ସାକ୍ଷାତକାରଭିତ୍ତିକ ଦୀର୍ଘ ଆଲୋଚ଼ନା ଅବସରରେ ଔପଚାରିକଭାବେ ଜଳପାନ ଓ ମଧ୍ୟାହ୍ନ ଭୋଜନ ଗ୍ରହଣ ନିମନ୍ତେ ଅନୁରୋଧ କରାଯାଇଥିଲା । ନାୟେରେ ଉଭୟକୁ ପ୍ରତ୍ୟାଖ୍ୟାନ କରିଥିଲେ ।

 

ସାକ୍ଷାତକାର ସରି ଆସୁଥିବା ବେଳେ ତାଙ୍କରି ଜଣେ ଅଳ୍ପ ପରିଚ଼ିତ ମୁକ୍ତ ସାମ୍ୱାଦିକ ‘ଫ୍ରିଲାନ୍ସର’ ନାୟେରେଙ୍କୁ ଫୋନ କରି ତମାଖୁ କମ୍ପାନୀ ସଂପର୍କରେ ସମ୍ୱାଦ ରଚନାରୁ ବିରତ ରହିବାକୁ ପରାମର୍ଶ ଦେଇଥିଲେ । କ୍ଷତିଗ୍ରସ୍ତ ଚାଷୀମାନଙ୍କ ଏକ ତାଲିକା କର୍ତ୍ତୃପକ୍ଷଙ୍କୁ ଦେଲେ ସେମାନଙ୍କ ପାଉଣା ତୁରନ୍ତ ଯୋଗାଇ ଦିଆଯିବ ବୋଲି କହିଥିଲେ । ସାକ୍ଷାତକାର ସାରି ଘରକୁ ଫେରିବା ପରେ ସେ ପୁଣି ଫୋନକରି ନାୟେରେଙ୍କ ଝିଅ ପାଇଁ ଖ୍ରୀଷ୍ଟମାସ ପୋଷାକ କିଣିଦେବେ ବୋଲି ପ୍ରସ୍ତାବ ଦେଇଥିଲେ ।

 

କଥାଟି ସେତିକିରେ ଅଟକି ନଥିଲା । ପରଦିନ ଅନ୍ୟଜଣେ ମୁକ୍ତ ସାମ୍ୱାଦିକ ତମାଖୁ କମ୍ପାନୀ ପ୍ରସଙ୍ଗରେ ଆଲୋଚ଼ନା କରିବା ନିମନ୍ତେ ଫୋନ କରି ସାକ୍ଷାତ କରିବାକୁ ଚାହିଁଥିଲେ । ନାୟେରେ ସେହି ସାମ୍ୱାଦିକଙ୍କ ସହ ପାଞ୍ଚ ବର୍ଷ ପୂର୍ବେ ଥରୁଟିଏ ମିଶିଥିଲେ । ତେବେ ତମାଖୁ କମ୍ପାନୀ ସଂପର୍କରେ ଅଧିକ କିଛି ତଥ୍ୟ ପାଇବା ଆଶାରେ ରାଜି ହୋଇଗଲେ । ମୁକ୍ତ ସାମ୍ୱାଦିକ ଜଣକ ବହୁ ଦୂରରେ ବସବାସ କରୁଥିବା ସତ୍ତ୍ୱେ ନିର୍ଦ୍ଧାରିତ ସମୟରେ ନାୟେରେଙ୍କୁ ସାକ୍ଷାତକରି ତମାଖୁ କମ୍ପାନୀ ସଂପର୍କୀତ ସମ୍ୱାଦ ପ୍ରକାଶନକୁ ଏଡ଼ାଇ ଦେଇ ଏକ ଲକ୍ଷ ପଚାଶ ହଜାର ଟଙ୍କା ଉତ୍କୋଚ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଏପରିକି ସେହି ଅର୍ଥ ସେ କମ୍ପାନୀ କର୍ତ୍ତୃପକ୍ଷଙ୍କଠାରୁ ନେଇ ଆସିଥିବା ସ୍ୱୀକାର କରିବାକୁ କୁଣ୍ଠାବୋଧ କରିନଥିଲେ ।

 

ଠିକାଚାଷୀମାନଙ୍କ ବୀମାରାଶି ପ୍ରଦାନରେ ଏକ ବଡ଼ ତମାଖୁ କମ୍ପାନୀର ଟାଳଟୁଳ ନୀତି ସଂପର୍କରେ ପର୍ଦ୍ଦାଫାସ ପରେ ଜଣେ ସାମ୍ୱାଦିକଙ୍କୁ କିପରି ଆର୍ଥିକ ପ୍ରଲୋଭନରେ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଇଥିଲା ତାହାର ବିବରଣୀ ସମ୍ୱାଦପତ୍ରରେ ପ୍ରକାଶିତ ହେବାପରେ ଜିମ୍ୱାୱେରେ ‘ବ୍ରାଉନ ଏନଭୋଲପ ଜର୍ଣ୍ଣାଲିଜମ’ର ଅବାଧ ପ୍ରଚଳନ ପ୍ରମାଣିତ ହୋଇଥିଲା । ଆଫ୍ରିକା ସମ୍ୱାଦମଞ୍ଚଗୁଡ଼ିକରେ ଦୁର୍ନୀତି ତଥା ସାମ୍ୱାଦିକମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ସର୍ବଜନବିଦିତ । ପଶ୍ଚିମ-ଆଫ୍ରିକାରେ ସାମ୍ୱାଦିକ ସମ୍ମିଳନୀ ଶେଷରେ ସାମ୍ୱାଦିକମାନଙ୍କ ମଧ୍ୟରେ ‘ବ୍ରାଉନ ଏନଭୋଲପ’ ବିତରଣ ‘ଆଇଟମ-୧୩’ ନାମିତ । ଅର୍ଥାତ, ସାମ୍ୱାଦିକ ସମ୍ମିଳନୀର ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଏହା ଶେଷଅଧ୍ୟାୟ । ସ୍ଥଳବିଶେଷରେ ସାମ୍ୱାଦିକ ସମ୍ମିଳନୀ ଉତ୍ତାରେ ‘ବ୍ରାଉନ ଏନଭୋଲପ’ ପହଞ୍ଚିବାରେ ବିଳମ୍ୱ ହେଲେ ସାମ୍ୱାଦିକମାନେ ଧୈର୍ଯ୍ୟର ସହ ଅପେକ୍ଷା କରିଥାନ୍ତି ବୋଲି କୁହାଯାଇଥାଏ ।

 

ଆଫ୍ରିକା ମହାଦେଶର ବିଭିନ୍ନ ରାଷ୍ଟ୍ରରେ ‘ବ୍ରାଉନ ଏନଭୋଲପ ଜର୍ଣ୍ଣାଲିଜମ’ର ବିଭିନ୍ନ ଆଞ୍ଚଳିକ ନାମ ରହିଛି । ନାଇଜେରିଆରେ ‘କୋଲା,’ କାମାରୁନରେ ‘ଗୋମ୍ୱୋ’, ଘାନାରେ ‘ସୋଲି’ ଏବଂ ଚାଏ, ବାଦାଶା ଓ କିଟୁ ଭଳି ନାମକରଣ ମଧ୍ୟ କରାଯାଇଥାଏ । ‘ବ୍ରାଉନ ଏନଭୋଲପ ଜର୍ଣ୍ଣାଲିଜମ’ ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ-ୟୁରୋପ ଓ ଲାଟିନ-ଆମେରିକାର ବହୁ ରାଷ୍ଟ୍ରରେ ପ୍ରଚଳିତ । ସମ୍ୱାଦ ସଂଗ୍ରହ ଉଦ୍ଦେଶ୍ୟରେ ସାମ୍ୱାଦିକମାନେ ରାଜନୀତିକ କର୍ମୀ, ଶିଳ୍ପପତି, ବ୍ୟବସାୟୀ ତଥା ବିଭିନ୍ନ ପ୍ରତିଷ୍ଠାନ ନିକଟରେ ପହଞ୍ଚୁଥିବା ଅବସରରେ ସକାରାତ୍ମକ ସମ୍ୱାଦ ପରିବେଷଣ ଅଭିପ୍ରାୟରେ ସମ୍ୱାଦସୂତ୍ରଗୁଡ଼ିକ ପକ୍ଷରୁ ସାମ୍ୱାଦିକମାନଙ୍କୁ ଯାତ୍ରା ଖର୍ଚ୍ଚ, ପ୍ରୋତ୍ସାହନ, ଲୋକସଂପର୍କ କିମ୍ୱା ଲାଞ୍ଚ ଆକାରରେ ଅର୍ଥ ପ୍ରଦାନ ସାମ୍ୱାଦିକତାରେ ଏକ ଗ୍ରହଣୀୟ ପନ୍ଥାରୂପେ ସ୍ୱୀକୃତି ଲାଭ କରିସାରିଲାଣି ।

 

‘ବ୍ରାଉନ ଏନଭୋଲପ ଜର୍ଣ୍ଣାଲିଜମ’ ଦ୍ୱାରା ସାମ୍ୱାଦିକତା ପ୍ରଭାବିତ ହୋଇଥାଏ । ସାମ୍ୱାଦିକତାର ମୂଳମନ୍ତ୍ର ସତ୍ୟ ବଦଳରେ ମିଥ୍ୟା ଉପସ୍ଥାପନ ଫଳରେ ସମ୍ୱାଦ ମଞ୍ଚ ଉପଭୋକ୍ତାମାନେ ପ୍ରତାରିତ ହୋଇଥାନ୍ତି । ସମ୍ୱାଦ ମଞ୍ଚଗୁଡ଼ିକ କ୍ରମଶଃ ବିଶ୍ୱସନୀୟତା ହରାନ୍ତି ଏବଂ ଏହି ପରିବେଶ ଦୀର୍ଘ ସ୍ଥାୟୀ ହେବା ଫଳରେ ବ୍ୟାବସାୟିକ ମଡ଼େଲ ଯେ ଦୁର୍ବଳ ହୋଇପଡ଼େ ସେତିକି ନୁହ, ସଂପୃକ୍ତ ମଞ୍ଚର ସାମ୍ୱାଦିକମାନଙ୍କ ଚାହିଦା କମିଯାଏ ଏବଂ ତଦଅନୁଯାୟୀ ଉତ୍କୋଚର ପରିମାଣ ହ୍ରାସ ପାଇ ଆସେ । ଯେକୌଣସି ପ୍ରାନ୍ତର ସାମ୍ୱାଦିକତା ଇତିହାସକୁ ଅନୁଶୀଳନ କଲେ କିପରି ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ସମ୍ୱାଦ ମଞ୍ଚଗୁଡ଼ିକର ବିଲୟ ଘଟିଛି ତାହାର ପ୍ରମାଣ ଅକ୍ଳେଶରେ ମିଳିଯାଏ ।

 

ଜିମ୍ୱାୱେରେ ‘ଭଲ୍ୟୁଣ୍ଟେରୀ ମିଡ଼ିଆ କାଉନସିଲ ଅଫ ଜିମ୍ୱାୱେ’ ଭଳି ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ‘ବ୍ରାଉନ ଏନଭୋଲପ ଜର୍ଣ୍ଣାଲିଜମ’ର ପ୍ରସାର ରୋକିବା ନିମନ୍ତେ ଉଦ୍ୟମ ବଳବତ୍ତର ରହିଛି । ଏକପକ୍ଷରେ ସାମ୍ୱାଦିକମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ସମ୍ୱାଦମଞ୍ଚଗୁଡ଼ିକ ପକ୍ଷରୁ ପାରିଶ୍ରମିକ ନ ଦେବା, କମ ଦରମା ଦେବା ଏବଂ ନିୟମିତ ପାରିଶ୍ରମିକ ବା ଦରମା ନ ଦେଇପାରିବା ହେତୁ ସାମ୍ୱାଦିକମାନେ ଜୀବନଧାରଣ ନିମନ୍ତେ ବାଧ୍ୟବାଧକତାରେ ସମ୍ୱାଦ ପରିବେଷଣରେ ଦୁର୍ନୀତିକୁ ପ୍ରଶୟ ଦେଉଥିବା ଦର୍ଶାଯାଇଥାଏ । ଅପରପକ୍ଷରେ କୌଣସି ରାଷ୍ଟ୍ରର ରାଜନୀତିକ, ପ୍ରଶାସନିକ ଓ ସାମାଜିକ ଆଙ୍ଗିକ ଦୁର୍ନୀତିଯୁକ୍ତ ହୋଇପଡ଼ିଲେ ତାହା ସାମ୍ୱାଦିକତାକୁ ସଂପ୍ରସାରିତ ହେବା ସ୍ୱାଭାବିକ ବିଚାର କରାଯାଏ । ଏତଦବ୍ୟତୀତ ବିଶ୍ୱବ୍ୟାପୀ ପାଶ୍ଚାତ୍ୟ ଭୂଖଣ୍ଡରେ ପ୍ରଚଳିତ ସାମ୍ୱାଦିକତା ଆଚରଣ ବିଧି ଲାଗୁ ହେବା ଫଳରେ ତାହା ଆଞ୍ଚଳିକ ପରିବେଶର ପରିପୂରକ ହୋଇନପାରୁଥିବା ମଧ୍ୟ ସାମ୍ୱାଦିକତାର ମାନ ହ୍ରାସର ଅନ୍ୟତମ କାରଣ ରୂପେ ଚ଼ିହ୍ନିତ । ବିଭିନ୍ନ ପ୍ରାନ୍ତରେ ସାମ୍ୱାଦିକତା ଆଚ଼ରଣ ନିମନ୍ତେ ସ୍ୱତନ୍ତ୍ର ମଡ଼େଲ ବିକାଶର ସମୟ ଉପନୀତ ଥିବା ବିଶ୍ୱାସ କରାଯାଇପାରେ ।

 

କେବଳ ସାମ୍ୱାଦିକ କାହିଁକି, ସମ୍ୱାଦ ମଞ୍ଚ ସଂପାଦକମାନେ ରାଜନୀତିଜ୍ଞ ଓ ଶିଳ୍ପପତିଙ୍କଠାରୁ ମାସିକ ଭତ୍ତା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସଂଗ୍ରହ କରୁଥିବା ପ୍ରଥା ପ୍ରଚଳିତ । ସମ୍ୱାଦ ମଞ୍ଚ ମାଲିକମାନେ ଆର୍ଥିକ ଅନୁଦାନ ଲାଳସାରେ ସମ୍ପାଦକ ଓ ସାମ୍ୱାଦିକମାନଙ୍କୁ ସଂପୃକ୍ତ ପକ୍ଷଙ୍କୁ ସମର୍ଥନ କରିବା ନିମନ୍ତେ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଥାନ୍ତି । ‘ବ୍ରାଉନ ଏନଭୋଲପ’ ପ୍ରଥାର ବହୁଳ ପ୍ରସାର ପରେ ସାମ୍ୱାଦିକମାନେ କ୍ରମଶଃ ଏହାକୁ ଅନୈତିକ ବିଚାର କରୁନଥିବା ଜଣାଯାଇଥାଏ । ସମ୍ୱାଦମଞ୍ଚ ପ୍ରାୟୋଜକମାନେ ସାମ୍ୱାଦିକମାନଙ୍କୁ ପାରିଶ୍ରମିକ କିମ୍ୱା ଦରମା ନ ଦେଇ ସଂବାଦସୂତ୍ରରୁ ଅର୍ଥ ଆଦାୟ କରିବା ନିମନ୍ତେ ପ୍ରୋତ୍ସାହିତ କରୁଥିବା ହେତୁ କାଳକ୍ରମେ ଦୁର୍ନୀତି ସାମ୍ୱାଦିକତାର ଏକ ଅଙ୍ଗ ରୂପେ ସ୍ୱୀକୃତି ଲାଭ କରିବାରେ ଲାଗିଛି ।

 

ଆନ୍ତର୍ଜାତିକସ୍ତରରେ ଉପଲବ୍ଧ ଗଣମାଧ୍ୟମ ଗବେଷଣା ସାହିତ୍ୟରେ ଆଫ୍ରିକାରେ, ମୁଖ୍ୟତଃ ନାଇଜେରିଆରେ ବିଂଶ ଶତାଦ୍ଦୀର ଶେଷଭାଗରେ ସ୍ଥାନୀୟ ସରକାରଙ୍କ ବିରୋଧରେ ସମ୍ୱାଦ ପ୍ରସାରଣ ରୋକିବା ନିମନ୍ତେ ସାମ୍ୱାଦିକମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ମାଧ୍ୟମରେ ପ୍ରଭାବିତ କରାଯାଇଥିବା ଉଦ୍ୟମର ବିବରଣୀ ବର୍ଣ୍ଣିତ । ଦେଶ ବିଦେଶରେ ସାମ୍ୱାଦିକତାରେ ଦୁର୍ନୀତି ସଂପର୍କରେ ତଥ୍ୟାବଳୀ ସ୍ୱଭାବତଃ ସମ୍ୱାଦ ମଞ୍ଚ ଗୁଡ଼ିକରେ ପ୍ରକାଶନଯୋଗ୍ୟ ବିବେଚ଼ିତ ନହେଉଥିବା ହେତୁ ଏହି ବିଷୟରେ ଚର୍ଚ୍ଚାର ସୁଯୋଗ ସୃଷ୍ଟି ହୋଇପାରେନାହିଁ । ଗଣମାଧ୍ୟମ ଗବେଷଣା କ୍ଷେତ୍ରରେ ମଧ୍ୟ ଏହି ପ୍ରସଙ୍ଗକୁ ଏଡ଼ାଇଦିଆଯାଇଥାଏ । ତେବେ ଗଣତନ୍ତ୍ରର ସୁରକ୍ଷାରେ ସାମ୍ୱାଦିକତାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିବା ସ୍ଥଳେ ବିକଳ୍ପ ମଞ୍ଚରେ ‘ବ୍ରାଉନ ଏନଭୋଲପ ଜର୍ଣ୍ଣାଲିଜମ’ ସଂପର୍କରେ ଆଲୋଚ଼ନା ଜରୁରି ମନେହୁଏ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଏପ୍ରିଲ ୨୦୨୨


ତଥ୍ୟ :


Brown envelope journalism

wikipeida.org

Nigeira’s ‘brown envelope’ journalism

 

https://www.bbc.com/news/world-africa-31748257

 

Ndhlovu, Lungelo. “Brown envelope” journalism in Africa and how to combat it

 

https://ijnet.org/en/story/brown-envelope-journalism-africa-and-how-combat-it

 

Nyere, Nyaradzo. Face to face with brown envelop journalism. The Standard. January 16, 2022

 

https://thestandard.newsday.co.zw/2022/01/16/face-to-face-with-brown-envelop-journalism

 

Voluntary Media Council of Zimbabwe. Brown envelope journalism and African ethics. Jan 15, 2015

 

https://vmcz.co.zw/brown-envelope-journalism-and-african-ethics 

ଟାଇମ ଗ୍ରାହକସେବାରୁ ଅପସାରଣ

ପରିବର୍ତ୍ତନ କେତେକାଂଶରେ ଦୁଃଖଦ ଅନୁଭୂତି । ଦୀର୍ଘ ବର୍ଷଧରି ଆନ୍ତର୍ଜାତିକ ପତ୍ରିକା ‘ଟାଇମ’ର ଗ୍ରାହକଶ୍ରେଣୀଭୁକ୍ତ ହୋଇଚାଲିଥିବା ଅବସରରେ ଚଳିତବର୍ଷ ମେ'ମାସରେ ଗ୍ରାହକ ଚାନ୍ଦା ଦାଖଲ କଲିନାହିଁ । ଏପ୍ରିଲ ମୋର ବାର୍ଷିକ ଗ୍ରାହକଚାନ୍ଦା ନବୀକରଣର ସମୟ । ଅତଏବ ମେ’ମାସରୁ ଘରେ ‘ଟାଇମ’ ପତ୍ରିକା ପଢ଼ିବା ବନ୍ଦ ହୋଇଗଲା । ଏହା ଏକ ସ୍ୱର୍ଶକାତର ବିଷୟ ।


 

ଗତ ଶତାଦ୍ଦୀର ଷଷ୍ଠ ଦଶକ ଶେଷାର୍ଦ୍ଧରେ ହାଇସ୍କୁଲ ଓ ସପ୍ତମ ଦଶକ ପ୍ରଥମାର୍ଦ୍ଧରେ କଲେଜ ଜୀବନରେ ସଂଭ୍ରାନ୍ତ ପତ୍ରପତ୍ରିକା ପୃଷ୍ଠାରେ କିମ୍ୱା ଚଳଚ଼ିତ୍ର ପରଦାରେ ଦେଖିଥିବା ‘ଟାଇମ’ ପତ୍ରିକା ସ୍ନାତକୋତ୍ତର ଶ୍ରେଣୀରେ ପାଦଦେବାପରେ ବିଶ୍ୱବିଦ୍ୟାଳୟ ପଠନାଗାରରେ ହାତପାଆନ୍ତାରେ ପାଇବାରେ କି ଆନନ୍ଦ ! ଭଞ୍ଜବିହାରରେ ୧୯୬୮ 'ଟାଇମ' ପତ୍ରିକା ପ୍ରଚ୍ଛଦପ୍ରସଙ୍ଗରେ ତେହେରାନ ବିଶ୍ୱବିଦ୍ୟାଳୟରେ ଅଶାନ୍ତି ସଂପର୍କରେ ଲେଖା ପଢ଼ିବା ଏଯାଏଁ ମୋର ମନେ ଅଛି । ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛନ୍ଦ ହେବା ପରେ ପରେ ‘ଟାଇମ’ ପତ୍ରିକା ଗ୍ରାହକଶ୍ରେଣୀଭୁକ୍ତ ହୋଇ ଖଣ୍ଡେ କପି ଘରେ ପାଇ ରାତିରେ ଶୋଇବା ଆଗରୁ ଘଣ୍ଟାଏ କିମ୍ୱା ଛୁଟିଦିନର ବିସ୍ତୀର୍ଣ୍ଣ ମଧ୍ୟାହ୍ନରେ ନିମଜ୍ଜିଯିବାରେ ନିଆରା ଅନୁଭୂତି ।


 

ସେ ଦିନରେ ଟେଲିଭିଜନ, ଇଣ୍ଟରନେଟ ଅନୁପସ୍ଥିତିରେ ଲାଇଫ, ଟାଇମ, ନିଉଜୱିକ ଭଳି ପତ୍ରିକା ହିଁ ସମକାଳୀନ ଆନ୍ତର୍ଜାତିକ ପ୍ରେକ୍ଷାପଟ ସହ ପରିଚିତ ପାଇଁ ଏକମାତ୍ର ସୁଯୋଗ ଥିଲା । ଏହି ପତ୍ରିକାଗୁଡ଼ିକର ପୃଷ୍ଠା ଲେଉଟାଇବାବେଳେ ମନକୁ ମନ ପ୍ରଚ୍ଛଦ୍ଦପଟ୍ଟରେ ଗିଟାରର ଧ୍ୱନୀ ଆପେ ଆପେ ଝଙ୍କୃତ ହୋଇ ଉଠୁଥିଲା । ମୁଦ୍ରିତ ପତ୍ରିକା ସାଙ୍ଗକୁ ସିନେମା ହଲରେ ମର୍ଣ୍ଣିଂ ଓ ମ୍ୟାଟିନୀ ସୋ’ରେ ହଲିଉଡ଼ ଫିଲ୍ମ ବିଦେଶର ପାଣିପବନ ରୀତିନୀତି ସଂକ୍ରାନ୍ତରେ ଯଥାସଂଭବ ଖବରଅନ୍ତର ଆହରଣର ମାଧ୍ୟମ ପାଲଟୁଥିଲା ।


 

ଥରେଅଧେ କୋଲକତା, ମୁମ୍ୱାଇ, ଚେନ୍ନାଇ ବା ଦିଲ୍ଲୀ ଭଳି ମେଟ୍ରୋ ଭ୍ରମଣର ସୁଯୋଗ ମିଳିଲେ ସୀମିତ ରହଣୀର ଅବଧିରେ ଦିନେ ଦୁଇଦିନ ତ ନିଶ୍ଚୟ ଆମେରିକାନ ଲାଇବ୍ରେରୀ ବା ବ୍ରିଟିଶ କାଉନସିଲ ଲାଇବ୍ରେରୀରେ ସମୟ କାଟିବା ଟାଇମଟେବୁଲ ଆପେ ଆପେ ନିର୍ଦ୍ଧାରିତ ହୋଇଯାଉଥିଲା । କୋଲକତା ଲାଇବ୍ରେରୀଗୁଡ଼ିକରେ ରିହାତିଦରରେ ଦୁଇବର୍ଷିଆ ‘ଆଉଟଷ୍ଟେସନ’ ମେମ୍ୱରସିପ ମିଳୁଥିଲା । ତେବେ ଘରେ ବସି ଡ଼ାକଯୋଗେ ପୁସ୍ତକ ଆଣି ହେଉଥିଲା ସିନା ପତ୍ରପତ୍ରିକା ପାଇବା ସମ୍ଭବପର ନଥିଲା । ସେଥିପାଇଁ ଲାଇବ୍ରେରୀରେ ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତାକୁ ଏଡ଼ାଇ ଦେଇ ହେଉ ନଥିଲା ।


 

‘ଟାଇମ’ ପତ୍ରିକାର ଗ୍ରାହକଶ୍ରେଣୀଭୁକ୍ତ ହୋଇ ମେଟ୍ରୋଠାରୁ ବହୁଦୂର ଏକ ଛୋଟ ସହରରେ ସାରାପୃଥିବୀକୁ ନିରେଖି ଦେଖିବା ଏକ ରୋମାଞ୍ଚକର ଅଭିଜ୍ଞତା । ‘ଟାଇମ’ ସାଙ୍ଗକୁ ପୂର୍ବରୁ ଲୋକପ୍ରିୟ ତଥା ବେଶ କିଛି ଦିନରୁ ବନ୍ଦ ହୋଇଯାଇଥିବା ‘ଲାଇଫ’ ଭଳି ପତ୍ରିକା ସାଧାରଣବର୍ଗର ପାଠକଙ୍କ ପାଇଁ ପ୍ରସ୍ତୁତ ହୋଇଥାଏ । ଏହା ଇଂଲିଶ ଭିନ୍ନ ବହୁ ବିଦେଶୀଭାଷାରେ ମଧ୍ୟ ପ୍ରକାଶ ପାଇଥାଏ । ‘ଟାଇମ’ ପତ୍ରିକାର ସମ୍ପାଦନା ନୀତିରେ କେତେକ ବିଶେଷତ୍ୱ ଏହାର ଲୋକପ୍ରିୟତାର ବିଶିଷ୍ଟ କାରଣ ରୂପେ ଚ଼ିହ୍ନଟ କରାଯାଇପାରେ ।


 

ପ୍ରଥମତଃ ସମସାମୟିକ ଗୁରୁତ୍ୱପୂର୍ଣ୍ଣ ଜଟିଳ ବିଷୟବସ୍ତୁଗୁଡ଼ିକୁ ଏଭଳି ପତ୍ରିକାରେ ସରଳଭାବେ ଉପସ୍ଥାପନ କରାଯାଇଥାଏ । ଜଟିଳ ଆନ୍ତର୍ଜାତିକ କୂଟନୀତି ହେଉ ବା ଭେଷଜ ବିଜ୍ଞାନରେ ସଦ୍ୟତମ ଉଦ୍ଭାବନ, ଜଣେ ସାଧାରଣ ପାଠକ କିପରି ତାହାର ଅନ୍ତଃସାର ହୃଦୟଙ୍ଗମ କରିପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥାଏ । ଦ୍ୱିତୀୟତଃ ଗୋଟିଏ ଗୋଟିଏ ରଚ଼ନା ପ୍ରସ୍ତୁତ କରିବାଲାଗି ଏକାଧିକ ଲେଖକ ତଥା ସମ୍ପାଦକ ସଂଶୋଧନ ଓ ପୁନଃସଂଶୋଧନ କାର୍ଯ୍ୟରେ ଦୀର୍ଘ ସମୟ ବିନିଯୋଗ କରୁଥିବା ହେତୁ ସେଗୁଡ଼ିକ ସାବଲୀଳ ବୋଧହୋଇଥାଏ । ତୃତୀୟତଃ ଆନ୍ତର୍ଜାତିକ ଘଟଣାକ୍ରମକୁ ଆପେକ୍ଷିକ ଗୁରୁତ୍ୱ ଅନୁଯାୟୀ ପ୍ରାଧାନ୍ୟ ଦିଆଯାଉଥିବା ହେତୁ ସମାନ୍ତରାଳ ଜ୍ଞାନ ଆହରଣ ପାଇଁ ପ୍ରକୃଷ୍ଟ ମାଧ୍ୟମ ପାଲଟିଥାଏ । ଚ଼ତୁର୍ଥତଃ ଲେଖକମାନେ ଗଭୀର ଅନୁଧ୍ୟାନ ଓ ସୁକ୍ଷ୍ମାତିସୁକ୍ଷ୍ମ ବିଶ୍ଳେଷଣ ପ୍ରତି ଯତ୍ନଶୀଳ ହେଉଥିବାହେତୁ ତାହା ପାଠକୀୟ ଆବେଗକୁ ଚ଼ରିତାର୍ଥ କରିଥାଏ । ପଞ୍ଚମତଃ ସମ୍ୱାଦ ରଚ଼ନା ଓ ଉପସ୍ଥାପନା କ୍ଷେତ୍ରରେ କ୍ରମାଗତ ପରୀକ୍ଷାନିରୀକ୍ଷା ଜାରୀ ରହୁଥିବା କାରଣରୁ ପତ୍ରିକାଗୁଡ଼ିକ ସୁଖପାଠ୍ୟ ହୋଇପାରିଥାଏ ।


 

ଏଭଳି ଏକ ବିଭବଶାଳୀ ପତ୍ରିକାର ଗ୍ରାହକଚ଼ାନ୍ଦା ଦାଖଲ ବନ୍ଦ କରିବା ପଛରେ କ’ଣ କାରଣ ଥାଇପାରେ ?


 

ଅନ୍ତର୍ଜାତିକସ୍ତରରେ ବିଶିଷ୍ଟ ପତ୍ରପତ୍ରିକାଗୁଡ଼ିକର ଡ଼ିଜିଟାଲ ଉପସ୍ଥିତି ମୋର ମୁଦ୍ରିତ ପତ୍ରିକା ଗ୍ରାହକ ସେବା ଅପସାରଣର ପ୍ରଥମ କାରଣ । ବର୍ତ୍ତମାନ ପ୍ରାୟ ସମସ୍ତ ବଡ଼ବଡ଼ ପତ୍ରିକା ଡ଼ିଜିଟାଲ ସଂସ୍କରଣ ସାଙ୍ଗକୁ ‘ଇ-ମେଲ ନିଉଜଲେଟର’ ପ୍ରକାଶ କରୁଛନ୍ତି । ଜଣେ ମାଗଣାରେ ଏକ ନିର୍ଦ୍ଧିଷ୍ଟ ପତ୍ରିକାର ‘ଇ-ମେଲ ନିଉଜଲେଟର’ ନିଜ ଇନବକ୍ସରେ ପାଇପାରୁଛି । ଫଳରେ ନିଉୟର୍କର, ଅଟଲାଣ୍ଟିକ, ୱାଇର ଭଳି ଅଧିକାଂଶ ପ୍ରିୟ ପତ୍ରିକାରେ ପ୍ରକାଶିତ ମୁଖ୍ୟ ରଚ଼ନାଗୁଡ଼ିକୁ ଡ଼ିଜିଟାଲ ରୂପରେ ପଢ଼ିବା ସୁଯୋଗ ସୃଷ୍ଟି ହୋଇପାରୁଛି । ପୁଣି କ୍ୱାଜ, ଡିଜି ଭଳି ଏଗ୍ରିଗେଟର ସାଇଟଗୁଡ଼ିକରୁ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ସୁନିର୍ବାଚିତ ରଚ଼ନାଗୁଡ଼ିକ ପଢିବା ପାଇଁ ଲିଙ୍କ ପାଇ ହେଉଛି । ଫଳରେ ଦିନକୁ ଅଧ ଡ଼ଜନେ ଭଲ ଲେଖା ପଢ଼ିବା ସୁଯୋଗ ହାତପାଆନ୍ତାରେ ପାଇବା ପରେ ଏକ ନିର୍ଦ୍ଧିଷ୍ଟ ପତ୍ରିକାର ମୁଦ୍ରିତ ସଂସ୍କରଣ ଅଲୋଡ଼ା ମନେହେବା ସ୍ୱାଭାବିକ । ଅବଶ୍ୟ କ୍ରମଶଃ ଡ଼ିଜିଟାଲ ପତ୍ରିକାଗୁଡ଼ିକର ଗ୍ରାହକଶ୍ରେଣୀଭୁକ୍ତ ହେବାକୁ ପଡ଼ିପାରେ ।


 

'ଟାଇମ' ପତ୍ରିକା ଗ୍ରାହକମାନଙ୍କୁ ମେଟ୍ରୋସହରରେ କୋରିଏର ଯୋଗେ ଏବଂ ଛୋଟ ସହରରେ ଡ଼ାକଯୋଗେ ପ୍ରେରଣ କରାଯାଇଥାଏ । ବ୍ରହ୍ମପୁର ଭଳି ଏକ ଛୋଟସହରରେ ଗ୍ରାହକଙ୍କଠାରେ ଡ଼ାକଯୋଗେ ପତ୍ରିକା ନିୟମିତ ପହଞ୍ଚେ ନାହିଁ । ଅଭିଯୋଗ କରି ଇ-ମେଲ ପଠାଇଲେ ପୁଣି କୋରିଏର ଯୋଗେ ପତ୍ରିକା ଆସେ, ତେବେ ବାରମ୍ୱାର ଏଭଳି ଅପ୍ରୀତିକର ପରିସ୍ଥିତି ସାମ୍ନା କରିବା ଅଶ୍ୱସ୍ତିକର ବୋଧହୁଏ ।  ଅପରପକ୍ଷେ ୪ଜି ସେବା ପ୍ରଚଳନ ପରେ ଅସଂଖ୍ୟ ପତ୍ରିକା ଓ ୱେବ ପୋର୍ଟାଲରୁ ସୁନିର୍ବାଚ଼ିତ ଲେଖା ଟେବଲେଟ କମ୍ପ୍ୟୁଟରରେ ପଢିବା ବେଶ ସହଜସାଧ୍ୟ ପ୍ରମାଣିତ ହେବାପରେ ପାଠକୀୟ ଆଗ୍ରହ ବଦଳିଯାଉଛି । ଏକକ କମ୍ପ୍ୟୁଟର ପର୍ଦ୍ଦାରେ ବିବିଧ ପତ୍ରପତ୍ରିକାର ଉପସ୍ଥିତି ତଥା ପତ୍ରପତ୍ରିକା ବିତରଣଜନିତ ସମସ୍ୟାରୁ ମୁକ୍ତି ମୁଦ୍ରିତ ସଂସ୍କରଣ ଲୋକପ୍ରିୟତାରେ ବାଧକ ସାଜିଛି ।


 

'ଟାଇମ' ପତ୍ରିକା ଗ୍ରାହକ ଚ଼ାନ୍ଦା ବନ୍ଦ ପରେ ସେହି ଅର୍ଥ ବିନିଯୋଗରେ ନିଜ ଆଗ୍ରହ ମୁତାବକ ପୁସ୍ତକ ଖରିଦ ଲାଗି ମନସ୍ଥ କରିଛି । ଡ଼ିଜିଟାଲସ୍କ୍ରିନରେ ଆଖି ଭରାକ୍ରାନ୍ତ ହୋଇଯିବା ପରେ ଶୋଇବା ଆଗରୁ ଅନ୍ତତଃ ଘଣ୍ଟାଏ ମୁଦ୍ରିତ ପୁସ୍ତକ ପଢ଼ାରେ ବିନିଯୋଗ କରିବା ଆରମ୍ଭ କରିଛି । ମୁଦ୍ରିତ ପୁସ୍ତକ ପଠନ ସୁନିଦ୍ରା ଲାଗି ପଥ ଉନ୍ମୁକ୍ତ କରୁଥିବା ଆଧୁନିକ ଗବେଷଣାଲବ୍ଧ ଜ୍ଞାନ ମୋତେ ପ୍ରଭାବିତ କରିଛି । ରାତି ଦଶରେ ଖାଇ ସାରିବାପରେ ସାଢ଼େ ଦଶରୁ ସାଢ଼େ ଏଗାର ପୁସ୍ତକ ପଠନ ବେଶ୍ ଆରାମଦାୟକ ବୋଧହେଉଛି ।


 

୧୯୨୩ ମସିହାରେ ପ୍ରତିଷ୍ଠିତ 'ଟାଇମ' ପତ୍ରିକାର ସାରାବିଶ୍ୱରେ ପ୍ରାୟ ୩୦ ଲକ୍ଷ ଗ୍ରାହକ ଅଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ନିଉୟର୍କସ୍ଥିତ ଟାଇମ ଇନ-କର୍ପୋରେସନ କର୍ତ୍ତୃକ ପ୍ରକାଶିତ ସାପ୍ତାହିକ 'ଟାଇମ' ପତ୍ରିକା ବ୍ୟାବସାୟିକ ଦୃଷ୍ଟିରୁ ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖୀନ ହୋଇଥିବା ଅନୁମାନ କରାଯାଉଛି । 'ଟାଇମ' ସାଙ୍ଗକୁ ଅନ୍ୟ ଲୋକପ୍ରିୟ ପତ୍ରିକା ପିଉପଲ, ଫରଚୁନ ଓ ସ୍ୱୋର୍ଟସ ଇଲାଷ୍ଟ୍ରେଟେଡ଼ର ପ୍ରକାଶନ ଟାଇମ ଇନ-କର୍ପୋରେସନ ହାତରୁ ଆଇୱା ସହରକେନ୍ଦ୍ରୀକ ପ୍ରକାଶକ ମେରେଡ଼ିଥ ଅଧିଗ୍ରହଣ କରିବ ବୋଲି ୨୦୧୭ ନଭେମ୍ୱର ତୃତୀୟ ସପ୍ତାହରୁ ଗୁଜବ ଶୁଣାଯାଉଛି । ମେରିଡ଼ିଥ ବେଟର୍ ହୋମସ୍, ଫେମିଲି ସର୍କଲ ଓ ଗାର୍ଡ଼ନ ଭଳି ଲୋକପ୍ରିୟ ମାସିକ ପତ୍ରିକା ଗୁଡ଼ିକର ପ୍ରକାଶକ ।


 

ମେରେଡ଼ିଥ ପ୍ରକାଶନ ସଂସ୍ଥାକୁ ଶିଳ୍ପପତି କୋଚ ବ୍ରଦର୍ସ 'ଟାଇମ' ଅଧିଗ୍ରହଣ ନିମନ୍ତେ ଆବଶ୍ୟକୀୟ ଅର୍ଥ ଯୋଗାଇଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । କୋଚ ବ୍ରଦର୍ସ କୋଚ଼ ଇଣ୍ଡଷ୍ଟ୍ରିର ମାଲିକ ଏବଂ କୋଚ଼ ଇଣ୍ଡଷ୍ଟ୍ରି ପେଟ୍ରୋଲିୟମ, ଖଣିଜ ପଦାର୍ଥ, କାଗଜ, ସାର ଭଳି ବିଭିନ୍ନ ବ୍ୟବସାୟରେ ସଂପୃକ୍ତ । ପ୍ରାୟ ୬୦ ଗୋଟି ରାଷ୍ଟ୍ରରେ ଏହାର ବ୍ୟବସାୟ ପରିବ୍ୟାପ୍ତ ଏବଂ ଲକ୍ଷେ କର୍ମଚ଼ାରୀ କାର୍ଯ୍ୟରତ । ଫୋବର୍ସ ତାଲିକାରେ ଏହା ଯୁକ୍ତରାଷ୍ଟ୍ର ଆମେରିକାର ଦ୍ୱିତୀୟ ବୃହତ ଘରୋଇ ବ୍ୟାବସାୟିକ ପ୍ରତିଷ୍ଠାନ ।


 

ଚ଼ାରିବର୍ଷ ପୂର୍ବେ କୋଚ଼ ଇଣ୍ଡଷ୍ଟ୍ରି ଲସ ଏଞ୍ଜେଲସ ଟାଇମ୍ସ ଓ ଚ଼ିକାଗୋ ଟ୍ରିବ୍ୟୁନର ପ୍ରକାଶକ ଟ୍ରିବ୍ୟୁନ୍ କମ୍ପାନୀର ଆଠଗୋଟି ସମ୍ୱାଦପତ୍ର ଅଧିଗ୍ରହଣ ନିମନ୍ତେ ଉଦ୍ୟମ କରିଥିଲେ । ତେବେ ସମ୍ୱାଦପତ୍ର ଶିଳ୍ପରେ ମାନ୍ଦାବସ୍ଥା କାରଣରୁ ଓହରି ଯାଇଥିବା କୁହାଯାଇଥିଲା । କେତେକ ଗଣମାଧ୍ୟମ ସମୀକ୍ଷକଙ୍କ ମତରେ 'ଟାଇମ' ଭଳି ପତ୍ରିକା ବ୍ୟବସାୟରେ ପହଞ୍ଚି କୋଚ଼ ଇଣ୍ଡଷ୍ଟ୍ରିକୁ ଏକ ବୃହତ ପାଠକଗୋଷ୍ଠୀ ନିକଟରେ ପହଞ୍ଚିବା ହୁଏତ ଲୋଭନୀୟ ମନେ ହୋଇପାରେ ।


 

ପାଶ୍ଚତ୍ୟ ଭୂଖଣ୍ଡରେ ଡ଼ିଜିଟାଲ ଗଣମାଧ୍ୟମର ଆବିର୍ଭାବପରେ ମୁଖ୍ୟତଃ ବିଜ୍ଞାପନ ରାଜସ୍ୱ ହ୍ରାସ କାରଣରୁ ମୁଦ୍ରିତ ସଂବାଦପତ୍ର ଓ ପତ୍ରପତ୍ରିକାଗୁଡ଼ିକ ଘୋର ଆର୍ଥିକ ସଂକଟରେ ସମ୍ମୁଖୀନ ହୋଇଛନ୍ତି । ପ୍ରାୟ ୧୦,୦୦୦ କର୍ମଚ଼ାରୀ କାର୍ଯ୍ୟରତ ଟାଇମ ଇନ-କରପୋରେସନ ପକ୍ଷରୁ ୯୦ ଗୋଟି ପତ୍ରିକା ପ୍ରକାଶ ପାଇଥାଏ । ତେବେ ବି ଏହିଭଳି ଏକ ସଂବାଦ ପ୍ରତିଷ୍ଠାନ ପରିବର୍ତ୍ତିତ ପରିସ୍ଥିତିରେ ସ୍ୱାଧୀନଭାବେ ପ୍ରକାଶନଭିତ୍ତିକ ବ୍ୟବସାୟ ଚଳାଇବା ସଂଭବପର ହୋଇ ନ ପାରୁଥିବା ହେତୁ ଅଧିଗ୍ରହଣ ଆଡ଼କୁ ମୁହାଁଇଛି । ତେବେ ବଡ଼ ବଡ଼ ବ୍ୟାବସାୟିକ ସଂଗଠନ ହାତକୁ ସଂବାଦପତ୍ର ଓ ପତ୍ରପତ୍ରିକାର ମାଲିକାନା ଚ଼ାଲିଯିବାପରେ ସାଂବାଦିକତାର ଗୁଣବତ୍ତା କ୍ଷେତ୍ରରେ କିଭଳି ନୂତନ ସମୀକରଣ ସୃଷ୍ଟିକରିବ ତାହା ଭବିଷ୍ୟତ କହିବ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ନଭେମ୍ୱର ୨୦

ଭାରତରେ ନ୍ୟୂୟର୍କ ଟାଇମ୍ସ

ଆନ୍ତର୍ଜାତିକସ୍ତରରେ ଖ୍ୟାତିସମ୍ପନ୍ନ ‘ଦି ନ୍ୟୂୟର୍କ ଟାଇମ୍ସ’ ଭାରତରେ ବ୍ୟବସାୟ ପ୍ରସାର କରିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଥିବା ପ୍ରକାଶ । ସମ୍ୱାଦପତ୍ରର ଆନ୍ତର୍ଜାତିକ ପ୍ରସାର ଅଧ୍ୟକ୍ଷ ଷ୍ଟେଫେନ ଡୁନବାର-ଜନସନ ଓ ନିର୍ବାହୀ ଅଧିକାରୀ ମାର୍କ ଥମ୍ପସନ ନଭେମ୍ୱର ୨୦୧୯ରେ ଗଣମାଧ୍ୟମ ପୃଷ୍ଠଭୂମି ଅନୁଧ୍ୟାନ କରିବା ନିମନ୍ତେ ଭାରତ ଆସିଥିଲେ ।


 

‘ବିଜନେସ ଷ୍ଟାଣ୍ଡାର୍ଡ’ ସହ ଲଣ୍ଡନରୁ ଏକ ଟେଲିଫୋନ ସାକ୍ଷାତକାରରେ ଷ୍ଟେଫନ ଜନସନ କହିଥିଲେ ଯେ ଭାରତର ଭୌଗଳିକ ଓ ଜନସଂଖ୍ୟା ବିସ୍ତୃତି ନ୍ୟୂୟର୍କ ଟାଇମ୍ସ ନିମନ୍ତେ ମୁଖ୍ୟ ଆକର୍ଷଣ । ଏଠାକାର ଉଚ୍ଚ ଶିକ୍ଷିତମାନଙ୍କ ମଧ୍ୟରେ ଏକ ବର୍ଗ ବୃତ୍ତିଭିତ୍ତିରେ ଆନ୍ତର୍ଜାତିକସ୍ତରରେ ପ୍ରତିଷ୍ଠିତ ତଥା ବିଦେଶ ଭ୍ରମଣରେ ସଂଶ୍ଳିଷ୍ଟ ରହୁଥିବା ହେତୁ ସେହି ପାଠକ ଶ୍ରେଣୀର ଦୃଷ୍ଟିକୋଣ ସଂପ୍ରସାରିତ । ସେମାନଙ୍କ ପାଇଁ ନ୍ୟୂୟର୍କ ଟାଇମ୍ସ ଭଳି ଏକ ଦୈନିକ ସମ୍ୱାଦପତ୍ରର ଆବଶ୍ୟକତା ରହିଥିବା ବିଶ୍ୱାସ କରାଯାଏ ।


 

ଉନ୍ନତ ଧରଣର ସାମ୍ୱାଦିକତା ଉଚିତ ମୂଲ୍ୟରେ ଯୋଗାଇଦେବାର ପ୍ରତିଶୃତି ନେଇ ଷ୍ଟେଫନ ଜନସନ ଭାରତରେ ଏକ ବିକଳ୍ପ ପାଠକ ଗୋଷ୍ଠୀ ଚ଼ିହ୍ନଟ କରିବା ନିମନ୍ତେ ଉଦ୍ୟମ କରୁଥିବା ପ୍ରତୀୟମାନ ହୁଏ । ଭାରତୀୟମାନେ ସମ୍ୱାଦପତ୍ର ବା ଅନଲାଇନ ସମ୍ୱାଦ ପାଠ କରିବା ନିମନ୍ତେ ଉଚ୍ଚ ମୂଲ୍ୟ ଗ୍ରାହକ ଚାନ୍ଦା ଦେବା ନିମନ୍ତେ ଅମଙ୍ଗ ଥିବା ସମାଲୋଚନାକୁ ସେ ଆଗ୍ରହ୍ୟ କରିଥାନ୍ତି । ଉଚ୍ଚକୋଟୀର ସାମ୍ୱାଦିକତା ଗ୍ରାହକ ସୃଷ୍ଟିରେ ସମର୍ଥ ହେବ ବୋଲି ଯୁକ୍ତି ବାଢ଼ିଛନ୍ତି ।


 

ନ୍ୟୂୟର୍କ ଟାଇମ୍ସରେ ମୂଳତଃ ଆନ୍ତର୍ଜାତିକ ଘଟଣାକ୍ରମ ସଂପର୍କୀତ ସମ୍ୱାଦ ପ୍ରକାଶ ପାଇଥାଏ । ଏଥି ନିମନ୍ତେ ୩୧ ଗୋଟି ସମ୍ୱାଦ ସଂଗ୍ରହ ବ୍ୟୁରୋ ଯୁକ୍ତରାଷ୍ଟ୍ର ଆମେରିକା ବାହାରେ କାର୍ଯ୍ୟ କରୁଛି । ଭାରତରେ ଦୁଇଗୋଟି ବ୍ୟୁରୋ ରହିଛି । ଏହି ବ୍ୟୁରୋଗୁଡ଼ିକରେ ୨୦୦ ରୁ ଅଧିକ ସାମ୍ୱାଦିକ ଅବସ୍ଥାପିତ । ସମ୍ୱାଦପତ୍ରରେ ମୋଟ ୧୬୦୦ ସ୍ଥାୟୀ ସାମ୍ୱାଦିକ କାର୍ଯ୍ୟରତ ।


 

ଆନ୍ତର୍ଜାତିକସ୍ତରରେ ଖ୍ୟାତି ଅର୍ଜନ କରିଥିବା ବ୍ରିଟେନର ‘ଦି ଗାର୍ଡିଅନ’ ପକ୍ଷରୁ ବୈଦେଶିକ ସମ୍ୱାଦ ସାଙ୍ଗକୁ ସ୍ଥାନୀୟ ସମ୍ୱାଦ ପରିବେଷଣକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଏ । ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆରେ ସଂସ୍କରଣ ପ୍ରକାଶନ ଅବସରରେ ସ୍ଥାନୀୟ ପାଠକମାନଙ୍କ ନିମନ୍ତେ ଆଞ୍ଚଳିକ ସମ୍ୱାଦ ପ୍ରକାଶିତ ହୁଏ । ତେବେ ନ୍ୟୂୟର୍କ ଟାଇମ୍ସ ପକ୍ଷରୁ ଗ୍ରାହକ ସଂପ୍ରସାରଣକୁ ଦୃଷ୍ଟିରେ ରଖି ଆଞ୍ଚଳିକ ସଂସ୍କରଣଗୁଡ଼ିକରେ ସ୍ଥାନୀୟ ସମ୍ୱାଦ ପ୍ରକାଶନକୁ ଗୁରୁତ୍ୱ ଦିଆଯାଏ ନାହିଁ ।


 

ଷ୍ଟେଫେନ ଜନସନଙ୍କ ଭାଷାରେ ତାଙ୍କରି ସମ୍ୱାଦପତ୍ର ପକ୍ଷରୁ ସ୍ଥାନୀୟ ସମ୍ୱାଦ ବଦଳରେ ଆନ୍ତର୍ଜାତିକସ୍ତରରେ ରାଜନୀତି, ବ୍ୟବସାୟ, ବିଜ୍ଞାନ ଓ ସଂସ୍କୃତି ସଂପର୍କୀତ ଗଭୀର ଅଧ୍ୟୟନକୁ ପ୍ରୋତ୍ସାହିତ କରାଯାଏ । ଏହି କାରଣରୁ ଭାରତରେ ନ୍ୟୂୟର୍କ ଟାଇମ୍ସର ପ୍ରବେଶ ସ୍ଥାନୀୟ ସମ୍ୱାଦପତ୍ର ସହ ପ୍ରତିଯୋଗିତା ବଦଳରେ ଏକ ନୂତନ ପାଠକ ଶ୍ରେଣୀ ଗଢ଼ି ତୋଳିବା ଆଶା କରାଯାଏ ।


 

ଭାରତରେ ଅନଲାଇନ ପ୍ରକାଶନ ଶିଳ୍ପକ୍ରମବିକଶିତ ହେଉଥିବା ସ୍ଥଳେ ନ୍ୟୂୟର୍କ ଟାଇମ୍ସ ମୋଟାମୋଟି ଭାବେ ସମ୍ୱାଦପତ୍ରର ଡିଜିଟାଲ ସଂସ୍କରଣର ଗ୍ରାହକ ସଂଗ୍ରହ ନିମନ୍ତେ ଉଦ୍ୟମ କରିବା ଅନୁମାନ କରାଯାଏ । ତେବେ ଦେଶରେ ଅନଲାଇନ ସମ୍ୱାଦ ବ୍ୟବସାୟରେ ମାତ୍ର ୨୬ ପ୍ରତିଶତ ବୈଦେଶିକ ପୁଞ୍ଜି ନିବେଶ ନିମନ୍ତେ ଆଇନଗତ କଟକଣା ରହିଥିବା ହେତୁ ନ୍ୟୁୟର୍କ ଟାଇମ୍ସ କେଉଁ ସ୍ଥାନୀୟ ସମ୍ୱାଦ ସଂସ୍ଥା ସହ ନିବେଶ ବୁଝାମଣା କରିବତାହା ଆପାତତଃ ସ୍ଥିର ହୋଇନାହିଁ । ‘ବିଜିନେସ ଷ୍ଟାଣ୍ଡାର୍ଡ’ ଓ ‘ୱାଲଷ୍ଟ୍ରୀଟ ଜର୍ଣ୍ଣାଲ’ର ମିଳିତ ଡିଜିଟାଲ ଗ୍ରାହକଯୋଡ଼ି ପ୍ରସ୍ତାବ ‘ବଣ୍ଡଲ ଅଫର’ ବ୍ୟାବସାୟିକ ମଡ଼େଲ ଭଳି ଉଦାହରଣ ଅନୁସରଣ କରାଯିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆନଯାଇପାରେ ।


 

ନିକଟ ଅତୀତରେ ନ୍ୟୂୟର୍କ ଟାଇମ୍ସ ବିଜ୍ଞାପନ ଆଶ୍ରିତ ପ୍ରକାଶନ ବଦଳରେ ଗ୍ରାହକ ଚାନ୍ଦା ପରିପୁଷ୍ଟ ମଡ଼େଲକୁ ରୂପାନ୍ତରିତ ହୋଇଛି । ୨୦୦୮ରେ ମାର୍କିନ ଅର୍ଥନୀତିରେ ମାନ୍ଦାବସ୍ଥା ପରେ ସମ୍ୱାଦପତ୍ରରେ ବିଜ୍ଞାପନ ପ୍ରକାଶନ କ୍ରମଶଃ ହ୍ରାସପାଇବା ପରେ ଗ୍ରାହକ ସଂଗ୍ରହ ନିମନ୍ତେ ପ୍ରାଥମିକତା ଦିଆଯାଇଥିଲା ଏବଂ ନ୍ୟୂୟର୍କ ଟାଇମ୍ସ ସେଥିରେ ସଫଳତା ହାସଲ କରିପାରିଛି । ସେହିପରି ମୁଦ୍ରିତ ସମ୍ୱାଦପତ୍ର ପ୍ରଯୋଜନା ଓ ପ୍ରସାରଣରେ ଖର୍ଚ୍ଚ ବୃଦ୍ଧି ଅବସରରେ ବୈଷୟିକ କାରିଗରୀ କୌଶଳ ବିକାଶ ଓ ବ୍ୟାପ୍ତିରେ ଡିଜିଟାଲ ସମ୍ୱାଦପତ୍ରର ଲୋକପ୍ରିୟତା ବୃଦ୍ଧିରେ ପର୍ଯ୍ୟବେସିତ । ନ୍ୟୁୟର୍କ ଟାଇମ୍ସର ମୋଟ ପାଠକ ସଂଖ୍ୟା ୪୭ ଲକ୍ଷ ହିସାବ କରାଯାଉଥିବା ସ୍ଥଳେ ସେଥି ମଧ୍ୟରେ ୩୮ ଲକ୍ଷ ଡିଜିଟାଲ ପାଠକ ଅନ୍ତର୍ଭୁକ୍ତ ।


 

ନ୍ୟୂୟର୍କ ଟାଇମ୍ସ ବୈଦେଶିକ ବଜାରରେ ଡିଜିଟାଲ ପାଠକ ସୃଷ୍ଟିକୁ ଗୁରୁତ୍ୱ ଦେଉଥିବା ବିଶ୍ୱାସ କରାଯାଏ । ସମ୍ୱାଦପତ୍ରର ମୋଟ ଡିଜିଟାଲ ଗ୍ରାହକ ମଧ୍ୟରୁ ୧୬ ପ୍ରତିଶତ ବୈଦେଶିକ ଏବଂ ୨୦୨୫ ସୁଦ୍ଧା ୨୦ ପ୍ରତିଶତକୁ ବୃଦ୍ଧି କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି ପରିବେଶରେ ଭାରତରେ ସମ୍ୱାଦପତ୍ରର ପ୍ରବେଶ ସ୍ଥାନୀୟ ସାମ୍ୱାଦିକତାକୁ ପ୍ରଭାବିତ କରିବା ଆଶା କରାଯାଏ ।


 

ଦ୍ୱିତୀୟତଃ ପାଶ୍ଚାତ୍ୟ ସମ୍ୱାଦପତ୍ର ବ୍ୟବସାୟ କ୍ରମଶଃ ଗ୍ରାହକ ଚାନ୍ଦା ଆଶ୍ରିତ ମଡେଲରେ ପରିବର୍ତ୍ତିତ ହେଉଥିବା ସ୍ଥଳେ ଭାରତରେ ବିଜ୍ଞାପନ ଆଶ୍ରିତ ମଡେଲ ବଳବତ୍ତର ରହିଛି । ନ୍ୟୂୟର୍କ ଟାଇମ୍ସର ପ୍ରବେଶ ସ୍ଥାନୀୟ ବଜାରରେ ଗ୍ରାହକ ସଂଗ୍ରହ ଧାରାକୁ ପରିପୁଷ୍ଟ କରିବା ନିଶ୍ଚିତ ।


 

ତୃତୀୟତଃ ସମ୍ୱାଦପତ୍ର ପ୍ରକାଶନ ଶିଳ୍ପ ଗ୍ରାହକ ଚାନ୍ଦା ଆଶ୍ରିତ ହେଲେ ଗୁଣାତ୍ମକ ସାମ୍ୱାଦିକତା ପ୍ରସାର ସମ୍ଭବପର । ଯୁକ୍ତରାଷ୍ଟ୍ର ଆମେରିକାରେ ନ୍ୟୁୟର୍କ ଟାଇମ୍ସ ଓ ୱାଶିଂଟନ ପୋଷ୍ଟ ଉଭୟ ପ୍ରଭାବଶାଳୀ ସମ୍ୱାଦପତ୍ର ଶିଳ୍ପପତିଙ୍କ ଦ୍ୱାରା ପରିଚାଳିତ ହେଉଥିଲେ ହେଁ ସେମାନଙ୍କ ସ୍ୱାଧୀନ ସାମ୍ୱାଦିକତାରେ ବ୍ୟତିବ୍ୟସ୍ତ ହୋଇ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ନଭେମ୍ୱର ୨୦୧୯ରୁ ଗ୍ରାହକ ଚାନ୍ଦା ପ୍ରଦାନ ରଦ୍ଦ କରିଦିଆଯାଇଛି । କିନ୍ତୁ ଭାରତରେ ଆମେ ଏହାର ଠିକ ବିପରୀତ ରୂପ ଦେଖିବାକୁ ପାଉ । ବିଶ୍ୱସ୍ତରୀୟ ସାମ୍ୱାଦିକତାରେ ଭାରତୀୟ ପାଠକ ଅଧିକ ମାତ୍ରାରେ ପରିଚିତି ସମ୍ଭାବ୍ୟ ପରିବର୍ତ୍ତନର ସୂତ୍ରଧର ହୋଇପାରେ ।


 

ଚତୁର୍ଥତଃ ଭାରତରେ ସାମ୍ୱାଦିକତା କ୍ଷେତ୍ରରେ ପକ୍ଷପାକ୍ଷିକତା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହିଭଳି ପରିବେଶ ଦୀର୍ଘସ୍ଥାୟୀ ହେଲେ ସମ୍ୱାଦ ଶିଳ୍ପରୁ ଉପଭୋକ୍ତାଙ୍କ ଆସ୍ଥା ତୁଟିଯିବା ଅସଂଭବ ନୁହେଁ । ମୁଖ୍ୟତଃ ଆଞ୍ଚଳିକ ସମ୍ୱାଦଶିଳ୍ପରେ ଏହାର ପ୍ରଭାବ ବିପଦଜନକ ସ୍ଥିତିରେ ଉପନୀତ ହେଲାଣି । ଉନ୍ନତ ସାମ୍ୱାଦିକତାର ଉଦାହରଣ ସ୍ଥିତାବସ୍ଥା ସୁଧାରଲାଗି ପ୍ରେରଣାଦାୟକ ହୋଇପାରେ ।


 

ପଞ୍ଚମତଃ ସାମ୍ୱାଦିକତାର ଗୁଣାତ୍ମକ ବିକାଶ ସ୍ଵାଧୀନ, ନିରପେକ୍ଷ ଓ ଉନ୍ନତ ସାମ୍ୱାଦିକତାରେ ନିର୍ଭରଶୀଳ । ଗୁଣାତ୍ମକ ସାମ୍ୱାଦିକତାର ଉପସ୍ଥିତିରେ ପାଠକ ଶ୍ରେଣୀ ନିମ୍ନମାନର ସାମ୍ୱାଦିକତାର ବିରୁଦ୍ଧାଚରଣ କରିଥାନ୍ତି । ଭାରତରେ ନ୍ୟୁୟର୍କ ଟାଇମ୍ସ ଭଳି ଆନ୍ତର୍ଜାତିକସ୍ତର ସାମ୍ୱାଦିକତାର ପ୍ରବେଶ ଏହି କାରଣରୁ ସ୍ଵାଗତଯୋଗ୍ୟ ।   



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ନଭେମ୍ୱର ୨୦୧


ତଥ୍ୟ:


 

Kohli – Khandekar interviews Stephen Dunbar-Johnson. ‘’Good journalism is good biz, will apply it in India’. Business Standard (Bhubaneswar Edition). October 24, 2019.

 ଆନ୍ତର୍ଜାତିକ ସାମ୍ୱାଦିକତାରେ ଏକ ନୂତନ ଉପକ୍ରମ

ଆନ୍ତର୍ଜାତିକ ସାମ୍ୱାଦିକତାରେ ଏକ ନୂତନ ଉପକ୍ରମ ରୂପେ ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନରେ ସ୍ଥାପିତ ‘ଓର୍ବ ମିଡ଼ିଆ’ ଚର୍ଚ୍ଚିତ ହେବାରେ ଲାଗିଛି ।


 

ପ୍ରଥମତଃ, ଏହା ଏକ ଅଣ-ବ୍ୟବସାୟିକ ‘ନନ-ପ୍ରଫିଟ’ ସଂସ୍ଥା । ଏକବିଂଶ ଶତାଦ୍ଦୀ ଆରମ୍ଭରୁ ପାଶ୍ଚାତ୍ୟ ଭୂଖଣ୍ଡ, ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାରେ ବିଜ୍ଞାପନ ଆଶ୍ରିତ ସମ୍ୱାଦ ବ୍ୟବସାୟ କ୍ରମଶଃ ଭୁଷୁଡ଼ି ପଡୁଥିବା ଅବସରରେ ବିଭିନ୍ନ ବିକଳ୍ପ ଧାରା ‘ଅଲଟରନେଟିଭ ମଡ଼େଲ’କୁ ନେଇ ନୂଆ ନୂଆ ସମ୍ୱାଦ ସଂସ୍ଥାଗୁଡ଼ିକ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । ସାମ୍ୱାଦିକତା ଜନହିତ ଲାଗି ଅଭିପ୍ରେତ ଥିବା ହେତୁ ବଦାନ୍ୟ ‘ଫିଲାନ୍ଥ୍ରୋଫିକ’ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ‘ଫାଉଣ୍ଡେସନ’ଗୁଡ଼ିକର ଅର୍ଥଲଗାଣରେ ସଂବାଦ ସଂସ୍ଥାମାନ ଗଢ଼ି ଉଠୁଛି । ସେଥି ମଧ୍ୟରେ ‘ଓର୍ବ ମିଡ଼ିଆ’ ଅନ୍ୟତମ ।


 

ଦ୍ୱିତୀୟତଃ,ସମକାଳରେ ସାମ୍ୱାଦିକତା ଉପକ୍ରମ ‘ଷ୍ଟାର୍ଟଅପ’ ଆଙ୍ଗୀକରେ କେତେକ କ୍ଷୁଦ୍ରାତିକ୍ଷୁଦ୍ର ସଂସ୍ଥା ଆନ୍ତର୍ଜାତିକସ୍ତରରେ କାର୍ଯ୍ୟକ୍ରମ ପ୍ରଯୋଜନାରେ ମନୋନିବେଶ କରିଛନ୍ତି ।‘ଓର୍ବ ମିଡ଼ିଆ’ ପକ୍ଷରୁ କୁହାଯାଉଛି ଯେ ଜଳ, ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ, ଶକ୍ତି, ବାଣିଜ୍ୟ ଓ ପ୍ରଶାସନ ସଂପର୍କୀତ ବିଭିନ୍ନ ରାଷ୍ଟ୍ରର ନୀତି ଓ ସ୍ଥିତି ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ସମଗ୍ର ମାନବସଭ୍ୟତାକୁ ପ୍ରଭାବିତ କରିଥାଏ । ଅତଏବ ଅନ୍ତତଃପକ୍ଷେ ଏହି ଆଠଗୋଟି ବିଷୟରେ ଆନ୍ତର୍ଜାତିକ ସାମ୍ୱାଦିକତାର ବିସ୍ତୃତି ଜରୁରୀ ।‘ଓର୍ବ ମିଡ଼ିଆ’ ମାତ୍ର ଦଶଜଣ ସାମ୍ୱାଦିକଙ୍କୁ ନେଇ ଗଢ଼ି ଉଠିଥିଲେ ହେଁ ନିକଟ ଅତୀତରେ ଏହି ସମ୍ୱାଦ ସଂସ୍ଥାଦ୍ୱାରା ପ୍ରଯୋଜିତ କେତେକ ସମ୍ୱାଦ ଆନ୍ତର୍ଜାତିକସ୍ତରରେ ଆଲୋଡ଼ନ ସୃଷ୍ଟି କରିପାରିଛି ।


 

ତୃତୀୟତଃ, ବୈଷୟିକ ପ୍ରଗତି ସଙ୍ଗେ ବିସ୍ତୃତ ତଥ୍ୟ‘ଡ଼ାଟା’ ସଂଗ୍ରହରେ ଅନୁକୂଳ ପରିବେଶ ସୃଷ୍ଟି କରିଥିବା ତଥା ଇଣ୍ଟରନେଟ ପ୍ରସାରରେ ବିଶ୍ୱବ୍ୟାପୀ ଆଲୋଚ଼ନାଲାଗି ମଞ୍ଚ ପ୍ରସ୍ତୁତ ହୋଇସାରିଥିବା ଅବସରରେ ଏଭଳି ସୁବିଧା ସୁଯୋଗର ଭରପୁର ଫାଇଦା ନେବା ପାଇଁ ‘ଓର୍ବ ମିଡ଼ିଆ’ ପକ୍ଷରୁ ଉଦ୍ୟମ କରାଯାଉଛି । ଯେକୌଣସି ଘଟଣା ସହ ତଥ୍ୟ ଓ ପରିସଂଖ୍ୟାନ ଯୋଡ଼ିବା ଫଳରେ ବାସ୍ତବସ୍ଥିତି ଉନ୍ମୋଚ଼ିତ ହୋଇଥାଏ ଏବଂ ଏହାର ଅନୁଶୀଳନରେ ସମସ୍ୟା ସମାଧାନର ବାଟ ଖୋଲିଥାଏ ।


 

ଚ଼ତୁର୍ଥତଃ, ପାରମ୍ପରିକ ସାମ୍ୱାଦିକତାରେ ମୁଖ୍ୟତଃ ସମାଜର ନେତୃସ୍ଥାନୀୟ, ଗଣମାଧ୍ୟମ ସଚ଼େତନ ସାଂଗଠନିକ ବ୍ୟକ୍ତିବିଶେଷଙ୍କ ସ୍ୱର ଓ ମତ ବହନ କରୁଥିବା ସ୍ଥଳେ ବିଷୟଗତ ସ୍ୱଚ୍ଛତାକୁ ଶାଣିତ କରିବା ନିମନ୍ତେ ଅଧିକରୁ ଅଧିକ ସାଧାରଣ ନାଗରିକଙ୍କ ଦୃଷ୍ଟିଭଙ୍ଗୀ ପରିସରଭୁକ୍ତ କରିବା ନିମନ୍ତେ ‘ଓର୍ବ ମିଡ଼ିଆ’ ପକ୍ଷରୁ ଉଦ୍ୟମ କରାଯାଉଛି । ସମ୍ୱାଦ ପ୍ରଯୋଜନାର ବିଭିନ୍ନ ସୋପାନରେ ଇଣ୍ଟରନେଟ ମାଧ୍ୟମରେ ସାଧାରଣ ନାଗରିକଙ୍କ ମତାମତ ସର୍ବେକ୍ଷଣ ‘ସର୍ଭେ’ ଜରିଆରେ ସଂଗ୍ରହକୁ ପ୍ରାଧାନ୍ୟ ଦିଆଯାଉଛି ।


 

ପଞ୍ଚମତଃ,‘ଓର୍ବ ମିଡ଼ିଆ’ ସଂପୂର୍ଣ୍ଣଭାବେ ଡ଼ିଜିଟାଲ ମଞ୍ଚରେ ପ୍ରଯୋଜିତ ଓ ପ୍ରସାରିତ । ପ୍ରତ୍ୟେକ ସମ୍ୱାଦ ଟେକ୍ସଟ, ଅଡ଼ିଓ, ମଲଟିମିଡ଼ିଆ ଓ ଡ଼ାଟା ଚ଼ାରିଗୋଟି ଫର୍ମାଟରେ ପ୍ରସ୍ତୁତ ହୋଇଥାଏ । ପ୍ରାଥମିକସ୍ତରରେ ଇଂଲିଶ, ସ୍ପାନିସ, ଆରବିକ ଓ ପର୍ତୁଗୀଜ ଚ଼ାରିଗୋଟି ଭାଷାରେ ପ୍ରସାରିତ ହେଉଥିବାସ୍ଥଳେ ଭବିଷ୍ୟତରେ ଏଗାରଗୋଟି ଭାଷାନ୍ତର ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପ୍ରସ୍ତୁତ ସମ୍ୱାଦଗୁଡ଼ିକ ସଂସ୍ଥାର ନିଜସ୍ୱ ୱେବସାଇଟ ସହ ବିଶ୍ୱବ୍ୟାପୀ ୧୪ଗୋଟି ସହଯୋଗୀ ସମ୍ୱାଦ ସଂସ୍ଥାଦ୍ୱାରା ପ୍ରକାଶିତ ହୋଇଥାଏ । ଏଥି ମଧ୍ୟରେ ବ୍ରିଟେନର ସମ୍ୱାଦପତ୍ର ‘ଗାର୍ଡ଼ିଅନ’ ଠାରୁ ଆରମ୍ଭକରି ବାଂଲାଦେଶର ‘ଢ଼ାକା ଟ୍ରିବ୍ୟୁନ’ତଥା ଆମ ଦେଶର ‘ହିନ୍ଦୁ’ଅନ୍ତର୍ଭୁକ୍ତ । ଏକ ଆନ୍ତର୍ଜାତିକ ସମସ୍ୟା ଏକାଦିକ୍ରମେ ଆଠଗୋଟି ଭାଷାରେ ୨୦ ଗୋଟି ରାଷ୍ଟ୍ରରେ ପ୍ରକାଶିତ ହେବା ଫଳରେ ଏକ ବିସ୍ତୃତ କ୍ୟାନଭାସରେ ବିଚ଼ାରବିମର୍ଷ ନିମନ୍ତେ ମଞ୍ଚ ସୃଷ୍ଟି କରିପାରୁଛି ।


 

‘ଓର୍ବ ମିଡ଼ିଆ’ ମାର୍କିନ ମହିଳା ସାମ୍ୱାଦିକ ମୋଲି ବିଙ୍ଗହାମଙ୍କ ମାନସପ୍ରସୂତ ସାମ୍ୱାଦିକତା । ବିଙ୍ଗହାମ ଅତୀତରେ ସମ୍ୱାଦପତ୍ରରେ କାର୍ଯ୍ୟକରିବା ସାଙ୍ଗକୁ ଫୋଟୋ ଜର୍ଣ୍ଣାଲିଷ୍ଟ ଓ ଡ଼କ୍ୟୁମେଣ୍ଟରି ନିର୍ମାତାରୂପେ ଦୀର୍ଘକାଳ ଅତିବାହିତ କରିଛନ୍ତି । ଇରାକ ଯୁଦ୍ଧ ଅବସରରେ ସେ ଜଣେ ମୁକ୍ତ ସାମ୍ୱାଦିକ ‘ଫ୍ରି-ଲାନ୍ସର’ ଭାବେ କାର୍ଯ୍ୟରତ ଅବସ୍ଥାରେ କୁଖ୍ୟାତ ‘ଆବୁ-ଘାରିବ’ ଜେଲରେ ବନ୍ଦୀ ରହିଥିଲେ । ଯୁକ୍ତରାଷ୍ଟ୍ର ଆମେରିକାରେ ନେଇମାନ ଫାଉଣ୍ଡେସନ ପକ୍ଷରୁ ସମ୍ୱାଦିକତା ବିକାଶକଳ୍ପେ ବୃତ୍ତି ପ୍ରଦାନ କରାଯାଇଥାଏ । ବିଙ୍ଗହାମ ୨୦୦୫ରେ ନାଇମେନ ଫେଲୋଭାବେ ଆନ୍ତର୍ଜାତିକସ୍ତରରେ ସାମ୍ୱାଦିକତା ପ୍ରସାର ନିମନ୍ତେ ‘ଓର୍ବ ମିଡ଼ିଆ’ ସଂପର୍କରେ ପ୍ରସ୍ତୁତ ଚ଼ିନ୍ତାଧାରାକୁ ୨୦୧୧ରେ ସାଂଗଠନିକ ରୂପରେଖ ପ୍ରଦାନ କରିଥିଲେ । ନାଇଟ ଓ ୱାଟରଲୁ ଫାଉଣ୍ଡେସନ, ଇନଷ୍ଟିଟିଉଟ ଫର ହେଲଥ, ଏୟାର, ୱାଟର ଏଣ୍ଡ ସଏଲ ସମେତ ବଦାନ୍ୟ ବ୍ୟକ୍ତିଙ୍କଠାରୁ ଦାନସୂତ୍ରରେ ଅର୍ଥ ସଂଗ୍ରହକରି ୨୦୧୩ରେ ସମ୍ୱାଦ ପ୍ରଯୋଜନା ଓ ପ୍ରସାରଣ ଆରମ୍ଭ କରିଥିଲେ । ଏହାର ବାର୍ଷିକ ବଜେଟ ପ୍ରାୟ ୧୦ କୋଟି ୫୦ ଲକ୍ଷ  ଟଙ୍କା ।


 

‘ଓର୍ବ ମିଡ଼ିଆ’ରେ ସମ୍ୱାଦ ପ୍ରଯୋଜନା ନିମନ୍ତେ ସ୍ୱକୀୟଧାରା ପ୍ରବର୍ତ୍ତିତ ହୋଇଥାଏ । ସାଧାରଣତଃ ଗୋଟିଏ ସମ୍ୱାଦ ପ୍ରସ୍ତୁତି ନିମନ୍ତେ ନୀତିଗତ ନିଷ୍ପତ୍ତି ଗ୍ରହଣପରେ ୧୨ ସପ୍ତାହ ଯାଏଁ ବିଭିନ୍ନ ସୂତ୍ରରୁ ଉପାଦାନ ସଂଗ୍ରହ ଚ଼ାଲିଥାଏ ।ପ୍ରାଥମିକସ୍ତରରେ ପରିସଂଖ୍ୟାନ ଏକତ୍ରୀକରଣପରେ ସର୍ବେକ୍ଷଣ ଜରିଆରେ ଜନସାଧାରଣ ଓ ବିଶେଷଜ୍ଞଙ୍କ ଦୃଷ୍ଟିଭଙ୍ଗୀ ସଂପର୍କୀତ ତଥ୍ୟ ଆହରଣ କରାଯାଇଥାଏ । ପ୍ରତ୍ୟେକ ସମ୍ୱାଦ ପ୍ରଯୋଜନ ନିମନ୍ତେ ଦୁଇଜଣ ସାମ୍ୱାଦିକ ନିୟୋଜିତ ହୁଅନ୍ତି । ଜଣେ ଟେକ୍ସଟ ପ୍ରସ୍ତୁତ ତଥା ଅନ୍ୟଜଣେ ଭିଡ଼ିଓ ସଂଗ୍ରହରେ ସଂପୃକ୍ତ ରହନ୍ତି । ସେମାନେ ପ୍ରତ୍ୟେକ ସମ୍ୱାଦ ପ୍ରସ୍ତୁତି ନିମନ୍ତେ ଅନ୍ତତଃପକ୍ଷେ ତିନିଗୋଟି ରାଷ୍ଟ୍ର ପରିଦର୍ଶନ କରିଥାନ୍ତି ।


 

‘ଓର୍ବ ମିଡ଼ିଆ’ ଦ୍ୱାରା ପ୍ରଯୋଜିତ ସମ୍ୱାଦଗୁଡ଼ିକ ମଧ୍ୟରୁ ବିଶ୍ୱବ୍ୟାପୀ ଜରୁରୀ ଆବଶ୍ୟକତା ମେଣ୍ଟାଇବା ପାଇଁ ସାଧାରଣ ଲୋକେ କେଉଁସୂତ୍ରରୁ ଅର୍ଥ ସଂଗ୍ରହ କରନ୍ତି, ବିଭିନ୍ନପ୍ରାନ୍ତର ଜଳାଶୟଗୁଡ଼ିକରେ ସଞ୍ଚିତ ଜଳ କିପରି ପ୍ଳାଷ୍ଟିକ କଣିକା ‘ମାଇକ୍ରୋଫାଇବର’ ଦ୍ୱାରା ପ୍ରଦୂଷିତ ତଥା ସାମାଜିକ ଦୃଷ୍ଟିଭଙ୍ଗୀ କିପରି ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାକୁ ପ୍ରଭାବିତ କରିଥାଏ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ୨୦୧୭ ସେପ୍ଟେମ୍ୱରରେ ପ୍ରକାଶିତ ମାଇକ୍ରୋଫାଇବର ସମ୍ୱାଦ ପ୍ରସ୍ତୁତି ନିମନ୍ତେ ପ୍ରାୟ ଏକ ବର୍ଷକାଳ ବିନିଯୋଗ କରାଯାଇଥିବା ଏବଂ ୨୦୧୮ ଜୁନରେ ପ୍ରକାଶିତ ବାର୍ଦ୍ଧକ୍ୟ ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀ ସମ୍ୱାଦ ପ୍ରସ୍ତୁତି ନିମନ୍ତେ ୪୯ ଲକ୍ଷ ଟଙ୍କାର ପାଣ୍ଠି ଦାନସୂତ୍ରରେ ସଂଗୃହୀତ ହୋଇଥିବା ଜଣାଯାଏ ।‘ଓର୍ବ ମିଡ଼ିଆ’ ପକ୍ଷରୁ ୨୦୧୮ରେ ଛଅଗୋଟି ଓ ୨୦୧୯ରେ ବାରଗୋଟି ସମ୍ୱାଦ ପ୍ରଯୋଜନାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।


 

ମୋଲି ବିଙ୍ଗହାମ କହନ୍ତି ଯେ ସାମ୍ୱାଦିକତା ଚଳନ୍ତି ଇତିହାସର ପ୍ରଥମ ଫର୍ଦ୍ଦ ପ୍ରସ୍ତୁତ କରିଥାଏ । ବିଭିନ୍ନ ଘଟଣାକ୍ରମରେ ଜନସାଧାରଣଙ୍କ ଭୂମିକାକୁ କେବଳ ଦେଖଣାହାରୀସ୍ତରରେ ସୀମିତ ନରଖି ସେମାନଙ୍କ ମତାମତ ଓ ଦୃଷ୍ଟିଭଙ୍ଗୀକୁ ଗୁରୁତ୍ୱ ଦେବା ବାଞ୍ଚନୀୟ । ପାରମ୍ପରିକ ସାମ୍ୱାଦିକତାରେ ମୁଦ୍ରିତ ସମ୍ୱାଦପତ୍ରସ୍ତରରେ ଜନସାଧାରଣଙ୍କ ନିମନ୍ତେ ସମ୍ପାଦକଙ୍କୁ ପତ୍ର, ବାଟେଘାଟେ ସାକ୍ଷାତକାର ବା ଗୁରୁତ୍ୱପୂର୍ଣ୍ଣ ଘଟଣା ସଂପର୍କରେ ମତାମତ ନିମନ୍ତ୍ରଣ ଭଳି ସ୍ତମ୍ଭମାନ କିମ୍ୱା ଟେଲିଭିଜନ ପରିବେଶରେ ଟାଉନହଲ ଆଲୋଚ଼ନା ପ୍ରସାରଣ, ଅନଲାଇନ ସର୍ବେକ୍ଷଣ ତଥା ସୋସିଆଲ ମିଡ଼ିଆ ଅନୁଧ୍ୟାନଭଳି କାର୍ଯ୍ୟକ୍ରମ ପ୍ରଯୋଜନା କରାଯାଇଥାଏ । ସମ୍ୱାଦ ପ୍ରସ୍ତୁତିରେ ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ ସ୍ଥାନିତ କରାଯାଇପାରିଲେ ଯାଇ ସେଥିରେ ପୂର୍ଣ୍ଣତା ସଂଭବପର ।‘ଓର୍ବ ମିଡ଼ିଆ’ସମ୍ୱାଦ ପ୍ରଯୋଜନାରେ ଏଭଳି ନୂତନ ଦୃଷ୍ଟିକୋଣର ପ୍ରଶଂସାରେ ୨୦୧୬ରେ ନାଇଟ ନିଉସ ଚ଼ାଲେଞ୍ଜ ଏୱାର୍ଡ଼ ବାବଦରେ ତିନି କୋଟି ୧୫ ଲକ୍ଷ ଟଙ୍କାର ପୁରସ୍କାର ହାସଲ କରିଥିଲା । କୌଣସି ପ୍ରସଙ୍ଗରେ ଜନସାଧାରଣଙ୍କ ମତାମତ ସଂଗ୍ରହ ନିମନ୍ତେ ସଂସ୍ଥାପକ୍ଷରୁ ଏକ ନୂତନ ସଫଟୱେର ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହା ସାର୍ବଜନୀନ ବ୍ୟବହାର ନିମନ୍ତେ ଉତ୍ସର୍ଗ କରାଯିବବୋଲି ଘୋଷଣା କରାଯାଇଛି ।    



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୨ ଜୁନ ୨୦୧


ତଥ୍ୟ:


 

https://www.journalism.co.uk/news/pen-paper-and-data-orb-media-s-approach-to-global-reporting/s2/a709110/


 

https://medium.com/@one_world_one_story/a-new-tool-for-journalists-to-hear-the-crowd-919fd2386674


 

http://www.niemanlab.org/2018/01/from-microplastics-to-mega-stories-journalism-nonprofit-orb-works-the-global-local 

ସଲମାନ ରୁସଦୀଙ୍କ ସପ୍ତମ ତରଙ୍ଗ

ଭାରତଜନ୍ମିତ, ମାର୍କିନ ନାଗରିକତ୍ୱ ଗ୍ରହଣକରି ନ୍ୟୂୟର୍କରେ ଅବସ୍ଥାପିତ ଇଂଲିଶ ଲେଖକ ସଲମାନ ରୁସଦୀଙ୍କ ୨୧ ତମ ଉପନ୍ୟାସିକା ‘ଦି ସେଭେନଥ ୱେବ’ ୨୦୨୧ ସେପ୍ଟେମ୍ୱର ପହିଲାରେ ପ୍ରକାଶିତ ହୋଇଛି । ବିବଦମାନ ବ୍ୟକ୍ତିତ୍ୱ ରୁସଦୀଙ୍କ ଅଧିକାଂଶ ଉପନ୍ୟାସ ପ୍ରକାଶନ କାଳରେ ଊଣା ଅଧିକେ ଉଲ୍ଲେଖଯୋଗ୍ୟ ଘଟଣାମାନ ସୂତ୍ରପାତ ହୋଇଥାଏ । ଆପାତତଃ ତାହା ଗଣମାଧ୍ୟମରେ ଚର୍ଚ୍ଚିତ ହେବା ଫଳରେ ସାହିତ୍ୟ କୃତୀର ପାଠକୀୟ ଆଗ୍ରହ ବଢ଼ିଯାଏ । ତେବେ ବିଷୟ ନିର୍ବାଚ଼ନରୁ ଶୈଳୀ ନିର୍ଦ୍ଧାରଣ ତଥା ପାଠକ ସଂପୃକ୍ତି ‘ରିଡ଼ର୍ସ ଏଙ୍ଗେଜମେଣ୍ଟ’ ପ୍ରତ୍ୟେକ କ୍ଷେତ୍ରରେ ରୁସଦୀ ଯେ ଗଭୀର ଯତ୍ନ ନେଇଥାନ୍ତି ତାହା ମାନିବାକୁ ପଡ଼ିବ ।


 

‘ଦି ସେଭେନଥ ୱେବ’ ଉପନ୍ୟାସିକା ‘ନଭେଲା’ର ବିଶେଷତ୍ୱ ହେଲା ଏହା ମୁଦ୍ରିତ ପୁସ୍ତକ ବଦଳରେ ଡ଼ିଜିଟାଲ ଆକାରରେ ଇ-ମେଲ ନିଉଜଲେଟର ଭାବେ ଧାରାବାହିକ ବର୍ଷକବ୍ୟାପୀ ପ୍ରକାଶିତ ହେବ । ଅର୍ଥାତ, ପ୍ରତ୍ୟେକ ଆଗ୍ରହୀ ପାଠକଙ୍କ ବ୍ୟକ୍ତିଗତ ଇ-ମେଲ ଇନବକ୍ସରେ ସାପ୍ତାହିକଭିତ୍ତିରେ କ୍ରମାଗତ ପହଞ୍ଚିବ । ଇ-ମେଲରେ ସ୍ଥାନିତ ଉପନ୍ୟାସିକାର ଅଧ୍ୟାୟଗୁଡ଼ିକ ଯଥାସଂଭବ କ୍ଷୁଦ୍ର ତଥା ସୀମିତ ସମୟ ଅବଧିରେ ପଠନଯୋଗ୍ୟ ଆଙ୍ଗିକରେ ପ୍ରଯୋଜିତ ହେବ ।


 

ରୁସଦୀ ନିଜ ଉପନ୍ୟାସିକା ପ୍ରକାଶନ ନିମନ୍ତେ ‘ସବଷ୍ଟାକ’ ଇ-ମେଲ ନିଉଜଲେଟର ମଞ୍ଚ ନିର୍ବାଚନ କରିଛନ୍ତି । ମହାମାରୀ-ପର ପରିବେଶରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଇ-ମେଲ ନିଉଜଲେଟର ସ୍ୱାଧୀନ ସାମ୍ୱାଦିକତା ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଏବଂ ବହୁ ଖ୍ୟାତନାମା ସାମ୍ୱାଦିକ ଅନ୍ୟତ୍ର ନିଯୁକ୍ତି ଛା଼ଡ଼ି ମୁକ୍ତ ବୃତ୍ତିରେ ନିୟୋଜିତ ହେଉଥିବା ଦେଖିବାକୁ ମିଳୁଛି । ଏହି ଅବସରରେ ‘ସବଷ୍ଟାକ’ ପକ୍ଷରୁ ଲୋକପ୍ରିୟ ସାହିତ୍ୟିକମାନଙ୍କୁ ମଧ୍ୟ ଇ-ମେଲ ନିଉଜଲେଟର ମଞ୍ଚ ବ୍ୟବହାରରେ ନିଜ କୃତୀ ପ୍ରକାଶନ ନିମନ୍ତେ ଉତ୍ସାହିତ କରାଯାଉଛି । ଏହିକ୍ରମରେ ରୁସଦୀଙ୍କ ଭଳି ଆନ୍ତର୍ଜାତିକସ୍ତରରେ ଚର୍ଚ୍ଚିତ ଔପନ୍ୟାସିକଙ୍କ ଯୋଗଦାନ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ।


 

ରୁସଦୀଙ୍କ ଇ-ମେଲ ନିଉଜଲେଟର ‘ସଲମନସ ସି ଅଫ ଷ୍ଟୋରିଜ’ ପାଠ କରିବା ନିମନ୍ତେ ଉପଭୋକ୍ତାମାନଙ୍କୁ ‘ସବଷ୍ଟାକ’ ମଞ୍ଚରେ ପହଞ୍ଚି ସଂପୃକ୍ତ ଇ-ମେଲ ନିଉଜଲେଟର ଗ୍ରାହକ ଶ୍ରେଣୀଭୁକ୍ତ ହେବାକୁ ପଡ଼ିବ । ଏଥିରେ ଉଭୟ ଦେୟଯୁକ୍ତ ଓ ଦେୟମୁକ୍ତ ବ୍ୟବସ୍ଥା ରହିଛି । ଯେଉଁମାନେ ଗ୍ରାହକ ଚାନ୍ଦା ଦେବେ, ସେମାନେ ସଂପୂର୍ଣ୍ଣ ଉପନ୍ୟାସିକା ସହ ପ୍ରକାଶିତ ଅନ୍ୟାନ୍ୟ ପାଠ୍ୟ ଓ ଚ଼ିତ୍ର, କ୍ଷୁଦ୍ରଗଳ୍ପ, ପୁସ୍ତକ ଓ ଚଳଚ଼ିତ୍ର ସମୀକ୍ଷା, ନ୍ୟୂୟର୍କ ସାହିତ୍ୟିକ ମହଲରେ ପ୍ରସାରିତ ଗୁଜବ ଇତ୍ୟାଦି ଧାରାବାହିକଭାବେ ପାଇପାରିବେ । ଯେଉଁମାନେ ବିନାମୂଲ୍ୟରେ ଇ-ମେଲ ନିଉଜଲେଟର ଗ୍ରାହକଶ୍ରେଣୀଭୁକ୍ତ ହେବେ ସେମାନେ ସୀମିତ ସଂଖ୍ୟକ ପାଠ୍ୟ ସଂବଳିତ ସଂସ୍କରଣ ନିଜ ଇ-ମେଲ ଇନବକ୍ସରେ ପାଇବେ । ‘ସଲମନସ ସି ଅଫ ଷ୍ଟୋରିଜ’ର ମାସିକ ଗ୍ରାହକଚାନ୍ଦା ମାର୍କିନ ଛଅ ଡ଼ଲାର ବା ଭାରତୀୟ ୪୨୦ ଟଙ୍କା, ବାର୍ଷିକ ୬୦ ଡ଼ଲାର ବା ୪,୨୦୦ ଟଙ୍କା ଏବଂ ପ୍ରତିଷ୍ଠାତା ସଦସ୍ୟ ‘ଫାଉଣ୍ଡର ମେମ୍ୱର’ ଚାନ୍ଦା ବାର୍ଷିକ ୧୮୦ ଡ଼ଲାର ବା ୧୨,୬୦୦ ଟଙ୍କା ନିର୍ଦ୍ଧାରିତ ହୋଇଛି ।


 

ସଲମାନ ରୁସଦୀ ଜୀବନବ୍ୟାପୀ ଚଳଚ଼ିତ୍ରପ୍ରେମୀ । ‘ଦି ସେଭେନଥ ୱେବ’ ଉନ୍ମୋଚନ ଅବସରରେ ଲଣ୍ଡନରୁ ପ୍ରକାଶିତ ‘ଦି ଗାର୍ଡ଼ିଆନ’ର ପୁସ୍ତକ ସମୀକ୍ଷକଙ୍କ ସହ ସାକ୍ଷାତକାର କାଳରେ ଉଲ୍ଲେଖ କରିଥିଲେ ଯେ ମହାମାରୀ ହେତୁ ଗୃହାବଦ୍ଧ ଅବସ୍ଥାରେ ସେ ନିଜ ନ୍ୟୂୟର୍କ ଏପାର୍ଟମେଣ୍ଟରେ ଦେଢ଼ ବର୍ଷ ବ୍ୟାପୀ ବ୍ୟକ୍ତିଗତସ୍ତରରେ ଚଳଚ଼ିତ୍ର ଉତ୍ସବର ସୁଯୋଗ ସୃଷ୍ଟି କରିଥିଲେ । ବିଂଶ ଶତାଦ୍ଦୀ ଷଷ୍ଠ ଓ ସପ୍ତମ ଦଶକରେ ନିର୍ମିତ ଫରାସୀ ଓ ଇଟାଲୀୟ ନବ-ତରଙ୍ଗ ‘ନ୍ୟୂ-ୱେବ’ ପର୍ଯ୍ୟାୟର ଚଳଚ଼ିତ୍ରମାନ ଉପଭୋଗ କରିଥିଲେ । ବହୁ ଦିନରୁ ଚଳଚ଼ିତ୍ର ସମୀକ୍ଷକ ହେବା ଆକାଂକ୍ଷା ରହି ଆସିଥିଲା । ଏଣିକି ନିଜ ଇ-ମେଲ ନିଉଜଲେଟରରେ ସେ ନିୟମିତ ଚଳଚ଼ିତ୍ର ସମୀକ୍ଷା କରିବେ । ପରିବର୍ତ୍ତିତ ପରିବେଶରେ ନିଜ ରୁଚ଼ି ଓ ଧାର୍ଯ୍ୟ ସମୟ ଅନୁଯାୟୀ ଯେକୌଣସି ଚଳଚ଼ିତ୍ର ପ୍ରଦର୍ଶନର ସାମର୍ଥ୍ୟ ସର୍ବସାଧାରଣରେ ଉପଲବ୍ଧ ହେବା ପରେ ଚଳଚ଼ିତ୍ର ସମୀକ୍ଷାର ଉପଦେୟତା ସଂପ୍ରସାରିତ ହେବା ଅବସରରେ ରୁସଦୀଙ୍କ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ମନେହୁଏ ।


 

‘ଦି ସେଭେନଥ ୱେବ’ ଉପନ୍ୟାସିକାର କାହାଣୀ ଜଣେ ଚଳଚ଼ିତ୍ର ନିର୍ଦ୍ଦେଶକ ଓ ଜଣେ ଅଭିନେତାଙ୍କ ଚରିତ୍ର ଉପରେ କେନ୍ଦ୍ରୀଭୂତ । ଏହାର ରଚନାରେ ସେ ଦେଢ଼ ବର୍ଷ ସମୟ ବିନିଯୋଗ କରିଛନ୍ତି । ପ୍ରାଥମିକ ପାଣ୍ଡୁଲିପି ୬୦ ହଜାର ଶବ୍ଦ ସମ୍ୱଳିତ ଥିବା ସ୍ଥଳେ ସମ୍ପାଦନାରେ ପ୍ରକାଶନଲାଗି ୩୫ ହଜାର ଶବ୍ଦରେ ସୀମିତ ରଖାଯାଇଛି । ଡିଜିଟାଲ ମଞ୍ଚରେ ଧାରାବାହିକ ଉପନ୍ୟାସିକା ପ୍ରକାଶନ ସଂପୂର୍ଣ୍ଣ ନୂତନ ଉଦ୍ୟମ ନହେଲେ ହେଁ ସଲମନ ରୁସଦୀଙ୍କ ପଦକ୍ଷେପ ଆନ୍ତର୍ଜାତିକସ୍ତରରେ ଦୃଷ୍ଟି ଆକର୍ଷଣ କରିଛି । ରୁସଦୀ କହିଛନ୍ତି ଯେ ଉପନ୍ୟାସ ଜନ୍ମକାଳରେ ଧାରାବାହିକ ଭାବେ ମୁଦ୍ରିତ ମାଧ୍ୟମରେ ପ୍ରକାଶିତ ହୋଇ ଲୋକପ୍ରିୟତା ହାସଲ କରିଥିଲା । ଏହି କ୍ଷେତ୍ରରେ ‘ପିକୱିକ ପେପର୍ସ’, ‘ମ୍ୟାଡାମ ବୋଭାରି’, ‘ୱାର ଏଣ୍ଡ ପିସ’ ଓ ‘ହାର୍ଟ ଅଫ ଡାର୍କନେସ’ ଇତ୍ୟାଦି ଉପନ୍ୟାସ ଉଲ୍ଲେଖଯୋଗ୍ୟ ।


 

ବିଭିନ୍ନ କାରଣରୁ ପାରମ୍ପରିକ ଗଣମାଧ୍ୟମ ପରିବେଶରେ ବିଘଟନ ସୂତ୍ରପାତ ହୋଇଥିବା ଅବସରରେ ସାମ୍ୱାଦିକମାନଙ୍କୁ ସ୍ୱାଧୀନ ଭାବେ ସମ୍ୱାଦ ପ୍ରକାଶନ ଏବଂ ସିଧାସଳଖ ଗ୍ରାହକଦେୟ ଉପାର୍ଜନ ସୁବିଧା ସୁଯୋଗ ସୃଷ୍ଟିସହ ସ୍ୱାବଲମ୍ୱୀ ବ୍ୟବସାୟ ପରିଚାଳନା ଉଦ୍ଦେଶ୍ୟରେ ‘ସବଷ୍ଟାକ’ ଆତ୍ମପ୍ରକାଶ କରିଥିଲା । ଏହି ମଞ୍ଚକୁ ଯେକେହି ବିନାମୂଲ୍ୟରେ ବ୍ୟବହାର କରିପାରେ । ସମସ୍ତେ ମଞ୍ଚରେ ଉପଲବ୍ଧ ଅତ୍ୟାଧୁନିକ ବୈଷୟିକ ସୁଯୋଗ ପାଇବାକୁ ହକଦାର । ପ୍ରତ୍ୟେକ ପ୍ରକାଶକ ନିଜ ଇ-ମେଲ ନିଇଜଲେଟର ଉଭୟ ଦେୟମୁକ୍ତ ଓ ଦେୟଯୁକ୍ତ କରିପାରନ୍ତି । ପ୍ରକାଶକ ଦେୟ ଗ୍ରହଣ କଲେ, ସେଥିରୁ ଦଶ ପ୍ରତିଶତ ‘ସବଷ୍ଟାକ’ କାଟି ରଖିଥାଏ ଏବଂ ନବେ ପ୍ରତିଶତ ପ୍ରକାଶକଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଏକାଉଣ୍ଟକୁ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ସ୍ଥାନାନ୍ତରିତ ହୋଇଥାଏ ।


 

ଇ-ମେଲ ନିଉଜଲେଟର ଆଙ୍ଗିକରେ ସାମ୍ୱାଦିକ ଓ ଲେଖକମାନେ ଏକକ, ବିନା ଅର୍ଥ ଓ ବ୍ୟାବସାୟିକ ବ୍ୟବସ୍ଥା ନିବେଶରେ ପ୍ରକାଶନର ସୁବିଧା ହାସଲ କରିପାରନ୍ତି । ମୁଦ୍ରଣ ଗଣମାଧ୍ୟମର ବିକାଶ-ପର ଦୁଇଶହ ବର୍ଷ ଧରି ବିଜ୍ଞାପନ-ଆଶ୍ରିତ ବ୍ୟାବସାୟିକ ମଡ଼େଲରେ ବହୁ ସମସ୍ୟା ଲାଗି ରହିଥିଲା । ପ୍ରକାଶନ ସଂସ୍ଥା ନିର୍ମାଣ, ପ୍ରକାଶନ ପ୍ରଯୋଜନା ଓ ବିତରଣ ନିମନ୍ତେ ନିବେଶ ତଥା ପରିଚାଳନା ଖର୍ଚ୍ଚଜନିତ ଭାର କୌଣସି ସୃଜନ ଶିଳ୍ପୀଙ୍କୁ ଏକକ ଉଦ୍ୟମରେ ସାଫଲ୍ୟ ଆଣିଦେଇପାରୁ ନଥିଲା । ଅପରପକ୍ଷେ ପ୍ରତିଷ୍ଠିତ ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକର ଆଦର୍ଶଗତ, ବ୍ୟାବସାୟିକ ଓ ଆଚ଼ରଣଗତ ଦ୍ୱାରପାଳ ‘ଗେଟ କିପର’ ନୀତି ସୃଜନ ସ୍ୱାଧୀନତାକୁ ବ୍ୟାହତ କରୁଥିଲା । ପ୍ରକାଶନ କ୍ଷେତ୍ରରେ ଇ-ମେଲ ନିଉଜଲେଟର ମୁକ୍ତ ଡ଼ିଜିଟାଲ୍ ପରିବେଶର ପ୍ରତିଶୃତି ବହନ କରିଥାଏ ।


 

ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ଅନ୍ୟ ଦୁଇଜଣ ନିବେଶକଙ୍କ ସହ ‘ସବଷ୍ଟାକ’ ଷ୍ଟାର୍ଟଅପ ଆରମ୍ଭ କରିବା ପୂର୍ବରୁ ‘ଟାଇନି-ଲେଟର’ ଭଳି ମଞ୍ଚ ଇ-ମେଲ ନିଉଜଲେଟର ପ୍ରକାଶନ ଧାରା ପ୍ରଚଳନ କରିସାରିଥିଲେ । ପରବର୍ତ୍ତୀ ଅବସ୍ଥାରେ ବହୁ ବୃହତ ଡ଼ିଜିଟାଲ ଉଦ୍ୟୋଗ ଏଥିରେ ପାଦ ଦେବା ମନସ୍ଥ କରିଛନ୍ତି । ‘ସବଷ୍ଟାକ’ ୨୦୧୭ ମଧ୍ୟଭାଗରେ ଉନ୍ମୋଚ଼ିତ ହେବାବେଳକୁ ଓଡ଼ିଆରେ ସାପ୍ତାହିକ ‘ସାମ୍ୱାଦିକତା ପତ୍ରାଂଶ’ ଏବଂ ପାକ୍ଷିକ ‘ଧୂସର ଓଡ଼ିଶା’ ପ୍ରକାଶନ ଆରମ୍ଭ ହୋଇଥିବା ଅତ୍ୟାଧୁନିକ ବୈଷୟିକ ବିପ୍ଳବରେ ଓଡ଼ିଆ ଭାଷାର ଯୋଗଦାନ ସୂଚାଇଥାଏ ।


 

ସଲମାନ ରୁସଦୀ ସାକ୍ଷାତକାରରେ କହିଥିଲେ ଯେ ପ୍ରକାଶନ ବଳୟରେ କୌଣସି ମଧ୍ୟସ୍ଥିର ଅନୁପସ୍ଥିତିରେ ପାଠକମାନଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ ନିମନ୍ତେ ଇ-ମେଲ ନିଉଜଲେଟର ତାଙ୍କୁ ପ୍ରଶସ୍ତ ସୁଯୋଗ ଯୋଗାଇବ । ଏହା ସୃଜନ ସ୍ୱାଧୀନତାକୁ ପରିବ୍ୟାପ୍ତ କରିବ । ରୁସଦୀ ‘ସବଷ୍ଟାକ’ ସହ ବର୍ଷକ ନିମନ୍ତେ ଚୁକ୍ତିବଦ୍ଧ ହୋଇଥିବା ସ୍ଥଳେ ଏହି ଅବଧିର ଅଭିଜ୍ଞତା ପରବର୍ତ୍ତୀ ଯୋଜନା କାର୍ଯ୍ୟକାରୀ କରିବାରେ ସହାୟକ ହେବବୋଲି ସେ ସୂଚାଇଥିଲେ ।     



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ସେପ୍ଟମ୍ୱର ୨୦୨୧


ତଥ୍ୟ:


 

Hepworth, Shelly ‘I guess I’m having a go at killing it’ : Salman Rushdie to bypass print and publish next book on substack


 

www.theguardian.com. September 1, 2021.

 

 

https://www.theguardian.com/books/2021/sep/01/i-guess-im-having-a-go-at-killing-it-salman-rushdie-to-bypass-print-and-publish-next-book-on-substack