ମହାମାରୀ

ସତ୍ୟ- ଅସତ୍ୟର ସୀମା- ସରହଦ

ସୋସିଆଲ ମିଡ଼ିଆର ବ୍ୟାପ୍ତି ପରିବେଶରେ ସମ୍ୱାଦ ପ୍ରସାରଣରେ ସତ୍ୟ ଓ ଅସତ୍ୟ ପରଖିବା କ୍ରମଶଃ ବିବାଦମାନ ହୋଇପଡୁଥିବା ଲକ୍ଷ୍ୟ କରାଯାଏ । ୨୦୧୯ ଡ଼ିସେମ୍ୱର ଶେଷ ଓ ୨୦୨୦ ଜାନୁୟାରୀ ଆରମ୍ଭରୁ ଚୀନରେ ‘୨୦୧୯-ଏନ-କଭ’ କରୋନା ଭାଇରସ ସଂକ୍ରମଣର ଧାରାବିବରଣୀ ପ୍ରସାରରେ ବିଶ୍ୱବ୍ୟାପୀ ସୋସିଆଲ ମିଡ଼ିଆ ପ୍ରାଥମିକତା ଦାବୀ କରିଥିଲା । ତେବେ ସତ୍ୟ ତୁଳନାରେ ଅସତ୍ୟ ସମ୍ୱାଦ ପ୍ରସାରରେ ଗୁରୁତ୍ୱ ଏବଂ ସ୍ଥଳବିଶେଷରେ ସତ୍ୟ ସମ୍ୱାଦ ବିଶ୍ଵସନୀୟତା ହରାଇବା ଭଳି ପରିସ୍ଥିତି ସୃଷ୍ଟି ସାମାଜିକ ଅସ୍ଥିରତାର କାରଣ ପାଲଟିଥିବା ଉଦାହରଣ ଦେଖିବାକୁ ମିଳିଥିଲା ।


 

ଚୀନର ମଧ୍ୟଭାଗରେ ଅବସ୍ଥିତ ହୁବେଲ ପ୍ରଦେଶର ଉହାନ ସହରରେ ଆକ୍ରାନ୍ତ ମନୁଷ୍ୟଙ୍କ ଶ୍ୱାସନଳୀରେ ଭୂତାଣୁ ସଂକ୍ରମଣ ସମସ୍ୟା ସୃଷ୍ଟି ହୋଇଥିଲା । ଉହାନ ଏକ ଶିଳ୍ପନଗରୀ ଏବଂ ଏଠାକାର ଜନସଂଖ୍ୟା କୋଟିଏ ଦଶ ଲକ୍ଷ । ଅତୀତରେ ଚୀନରେ ଭୂତାଣୁ ସଂକ୍ରମଣ ହେତୁ ବିଷମ ପରିସ୍ଥିତି ଉପୁଜିବାର ଇତିହାସ ରହିଛି । ବିଶେଷକରି ୨୦୦୨-୦୩ରେ ସଂକ୍ରମିତ ‘ଏସଏଆରଏସ’ ଭୂତାଣୁ କବଳରେ ୭୭୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।


 

ଉହାନର ଡ଼ାକ୍ତର ଲି-ୱେନଲିଆଙ୍ଗ ନାମକ ଜଣେ ୩୪ ବର୍ଷ ଚକ୍ଷୁ ବିଶେଷଜ୍ଞ ସୋସିଆଲ ମିଡ଼ିଆରେ ନିଜ ଚିକିତ୍ସକ ବନ୍ଧୁମାନଙ୍କ ସହ ୨୦୧୯ ଡ଼ିସେମ୍ୱରରେ ଦେଖାଦେଇଥିବା ଭୂତାଣୁ ୨୦୦୩ର ଭୂତାଣୁ ସହ ତୁଳନା କରି ଏତଦ୍ୱାରା ମହାମାରୀ ବ୍ୟାପିବାର ଆଶଙ୍କାଥିବା ଆକଳନ କରିଥିଲେ । ସ୍ଥାନୀୟ ପୋଲିସ ପକ୍ଷରୁ ଡ଼ାକ୍ତରଙ୍କ ଗବେଷଣାଲବ୍ଧ ଜ୍ଞାନକୁ ଗୁଜବ ସନ୍ଦେହକରି ତାଙ୍କ ସହ ସାତଜଣ ବନ୍ଧୁଙ୍କୁ ପ୍ରଶାସନିକ ଭର୍ତ୍ସନା କରାଯାଇଥିଲା । ଅଧିକ ପୋଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ନିମନ୍ତେ କ୍ଷମା ପ୍ରାର୍ଥନା କରି ଲିଙ୍କୁ ଏକ ସ୍ୱୀକାରୋକ୍ତି ସ୍ୱାକ୍ଷର କରିବାକୁ ପଡ଼ିଥିଲା ।


 

ଚୀନ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଙ୍କଠାରେ ଭୂତାଣୁ ସଂକ୍ରମଣ ସମ୍ୱାଦ ୩୧ ଡ଼ିସେମ୍ୱର ୨୦୧୯ରେ ଉପସ୍ଥାପନ କରାଯାଇଥିଲା । ୧ ଜାନୁୟାରୀ ୨୦୨୦ରେ ଡ଼ାକ୍ତର ଲିଙ୍କ ସମେତ ଆଠଜଣ ଚିକିତ୍ସକଙ୍କୁ ପୋଲିସ ଗୁଜବ ପ୍ରକାଶନ ‘ପବ୍ଳିଶ’ ଓ ପ୍ରସାରଣ ‘ଫରୱାର୍ଡ’ ଆରୋପରେ ଅଭିଯୁକ୍ତ କରି ୩ ଜାନୁୟାରୀ ୨୦୨୦ରେ କ୍ଷମାପ୍ରାର୍ଥନା ସ୍ୱୀକାରୋକ୍ତି ସଂଗ୍ରହ କରିଥିଲେ ।


 

ତେବେ ଡ଼ାକ୍ତର ଲିଙ୍କ ଆକଳନ ସତ୍ୟ ପ୍ରମାଣିତ ହେବାପରେ ୨୯ ଜାନୁୟାରୀ ୨୦୨୦ରେ ଚୀନ ସୁପ୍ରିମକୋର୍ଟର ଜନୈକ ବିଚାରପତି ଲି ଓ ତାଙ୍କରି ବନ୍ଧୁମାନଙ୍କ ସୋସିଆଲ ମିଡ଼ିଆରେ ଭୂତାଣୁ ସଂକ୍ରମଣ ସମ୍ୱାଦ ପ୍ରକାଶନକୁ ବିରୋଧ କରି ପୋଲିସ କାର୍ଯ୍ୟାନୁଷ୍ଠାନର ସମାଲୋଚନା କରିଥିଲେ । ବିଚାରପତିଙ୍କ ରାୟରେ କୁହାଯାଇଥିଲା ଯେ ଉହାନ ଚିକିତ୍ସକମାନଙ୍କ ପୂର୍ବାନୁମାନ ପ୍ରତି ପୋଲିସର ଅଙ୍କୁଶ ନଲଗାଇଥିଲେ ହୁଏତ ଚ଼େତନା ପ୍ରସାର ହେତୁ ଭୂତାଣୁ ସଂକ୍ରମଣ ପ୍ରାଥମିକ ଅବସ୍ଥାରେ ସୁଧାର ଆସିପାରିଥାନ୍ତା । ଜନସାଧାରଣ ମୁହଁରେ ପଟି ବାନ୍ଧିବା, ଦୈନନ୍ଦିନ ଜୀବନରେ ବିଶୋଧନ ପ୍ରକ୍ରିୟା ତଥା ଜୀବଜନ୍ତୁ ସଂସ୍ପର୍ଶରେ ନଆସିବା ଭଳି ଉପାୟଗୁଡ଼ିକୁ ଗୁରୁତ୍ୱ ଦେଇଥାନ୍ତେ ।


 

ବିଡ଼ମ୍ୱନାର ବିଷୟ ଏହି ଯେ ଭୂତାଣୁ ସଂକ୍ରମଣ ସମ୍ୱାଦ ପ୍ରକାଶନ ନିମନ୍ତେ ଡ଼ାକ୍ତର ଲି ପ୍ରଶାସନଦ୍ୱାରା ଦଣ୍ଡିତ ହୋଇଥିବା ସ୍ଥଳେ ୭ ଫେବୃୟାରୀ ୨୦୨୦ରେ ସେହି ଭୂତାଣୁ ସଂକ୍ରମଣରେ ନିଜେ ପ୍ରାଣ ହରାଇଲେ । ଡ଼ାକ୍ତର ଲିଙ୍କ ପରଲୋକ କେବଳ ଚୀନ କାହିଁକି ସମଗ୍ର ବିଶ୍ୱରେ ସୋସିଆଲ ମିଡ଼ିଆ ସହ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଚର୍ଚ୍ଚାର ବିଷୟ ପାଲଟିଲା । ଡ଼ାକ୍ତର ଲିଙ୍କ ମୃତ୍ୟୁ ବେଳକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବରେ ୩୧ ହଜାରରୁ ଅଧିକା ଲୋକ ଭୂତାଣୁ ସଂକ୍ରମଣରେ ଶିକାର ହୋଇଥିବା ସ୍ଥଳେ ଛଅ ଶହରୁ ଉର୍ଦ୍ଧ୍ୱ ପ୍ରାଣ ହରାଇଥିବା ଜଣାଯାଇଥିଲା ।


 

ଉହାନର ଚିକିତ୍ସକମାନେ ୮ ଡ଼ିସେମ୍ୱର ୨୦୨୦ରୁ ଭୂତାଣୁ ସଂକ୍ରମଣ ସଂପର୍କରେ ପ୍ରାଥମିକ ତଥ୍ୟ ହାସଲ କରିଥିଲେହେଁ ଡ଼ାକ୍ତର ଲିଙ୍କ ଉପଲବ୍ଧି ସରକାରଙ୍କ ଦ୍ୱାରା ଅନୁମୋଦନ ହୋଇନଥିବା ହେତୁ ପ୍ରଶାସନିକ କାର୍ଯ୍ୟଧାରାରେ ପୋଲିସ ତାଙ୍କୁ ଭର୍ତ୍ସିତ କରିଥିଲା । ତେବେ ଗବେଷଣାଲବ୍ଧ ଜ୍ଞାନକୁ ପ୍ରଶାସନିକ ଅନୁମୋଦନ ସମୟସାପେକ୍ଷ ଥିବା ତଥା ସୋସିଆଲ ମିଡ଼ିଆ ମାଧ୍ୟମରେ ଜରୁରୀ ବିଷୟଗୁଡ଼ିକୁ ଖୁବ କମ ସମୟ ମଧ୍ୟରେ ଜନସାଧାରଣଙ୍କୁ ସତର୍କ କରିଦିଆଯିବା ସୁବିଧା ସୁଯୋଗ ଥିବା ଅବସରରେ ଡ଼ାକ୍ତର ଲିଙ୍କ ପ୍ରତି ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ୱାଦ ପ୍ରସାରଣରେ ସ୍ୱଚ୍ଛତା ପ୍ରତି ପ୍ରଶ୍ନ ଉଠାଇଛି । ଚ଼ୀନରେ କରୋନା ଭାଇରସ ଆତଙ୍କ ଖେଳାଇଥିବା ସ୍ଥଳେ ବୁଦ୍ଧିଜୀବୀମାନେ ଅଭିବ୍ୟକ୍ତିରେ ସ୍ୱାଧୀନତା ଦାବୀ ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ।


 

ଏକ ପକ୍ଷରେ ଭୂତାଣୁ ସଂକ୍ରମଣ ସଂପର୍କୀତ ସତ୍ୟ ସମ୍ୱାଦ ପ୍ରସାରଣରେ ପ୍ରଶାସନିକ ହସ୍ତକ୍ଷେପକୁ ନିନ୍ଦା କରାଯାଇଥିବା ସ୍ଥଳେ ଅପରପକ୍ଷେ ତତ୍ ସଂପର୍କୀତ ଅସତ୍ୟ ସମ୍ୱାଦ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇ ଦେବାରେ ସମର୍ଥ ହୋଇଥିଲା । ଭାରତର ସୋସିଆଲ ମିଡ଼ିଆରେ କରୋନା ଭୂତାଣୁନେଇ କିମ୍ଭୁତ କିମ୍ଭାକାର ଗୁଜବ ପ୍ରସାରଣ ହୋଇଥିବା ଦେଖିବାକୁ ମିଳିଥିଲା ।


 

କରୋନା ଭୂତାଣୁ ବାଦୁଡ଼ିଠାରୁ ମନୁଷ୍ୟ ଶରୀରରେ ସଂକ୍ରମଣ କରିଥିବା ତଥ୍ୟକୁ ଆଧାର କରି ଚୀନବାସୀ ନିୟମିତ ବାଦୁଡ଼ି ମାଂସ ଖାଆନ୍ତି ବୋଲି କେତେକ ପ୍ରଚାର କରିଥିଲେ । ତେବେ ଏହା ସତ୍ୟ ନୁହେଁ । ଭୂତାଣୁ ସଂକ୍ରମଣରେ ଚୀନ ସରକାରଙ୍କ ଦ୍ୱାରା ପ୍ରକାଶିତ ସଂଖ୍ୟାଠାରୁ ଢ଼େର ଅଧିକ ବୋଲି ଦେଶବିଦେଶରେ ସୋସିଆଲ ମିଡ଼ିଆରେ ସନ୍ଦେହ ପ୍ରକାଶ ପାଇଥିଲା । କେତେକ ଉଲ୍ଲେଖ କରିଥିଲେ ଯେ ଫେବୃୟାରୀ ୨୦୨୦ ପ୍ରଥମ ସପ୍ତାହ ସୁଦ୍ଧା ଛଅ କୋଟି ପଚାଶ ଲକ୍ଷ ଯାଏଁ ସଂକ୍ରମିତ ରୋଗୀ ମୃତ୍ୟୁ ବରଣ କଲେଣି ।


 

ସେହିପରି ଅନ୍ୟ ଏକ ଗୁଜବ ଅନୁଯାୟୀ ଚୀନର ଜନସଂଖ୍ୟା କମାଇବା ନିମନ୍ତେ ସରକାରଙ୍କ ପକ୍ଷରୁ କରୋନା ଭୂତାଣୁ ସୃଷ୍ଟି କରାଯାଇଛି ତ ଅନ୍ୟ ଏକ ଗୁଜବ ଅନୁଯାୟୀ ଉହାନ ସହରରେ ଅବସ୍ଥିତ ଏକ ସରକାରୀ ଭୂତାଣୁ ବୋମା କାରଖାନାରୁ ଅସାବଧାନତାବଶତଃ ଭୂତାଣୁ ବାହାରକୁ ସଂକ୍ରମିତ ହୋଇଛି ଇତ୍ୟାଦି । କରୋନା ଭୂତାଣୁ ସଂକ୍ରମଣର ପ୍ରତିଷେଧକ ଉଦ୍ଭାବନ ୨୦୨୨ ସୁଦ୍ଧା ସମ୍ଭବପର ନୁହେଁ ବୋଲି ଚିକିତ୍ସା ବିଜ୍ଞାନୀମାନେ କହୁଥିବା ବେଳେ ଦେଶବିଦେଶରେ ସୋସିଆଲ ମିଡ଼ିଆରେ ଅସଂଖ୍ୟ ଉପଚାର ପ୍ରଣାଳୀ ଚର୍ଚ୍ଚିତ ହୋଇଥିବା ପ୍ରମାଣ ମିଳେ ।


 

ସୋସିଆଲ ମିଡ଼ିଆରେ ଗୁଜବ ପ୍ରସାରଣ ଯେତିକି କ୍ଷୀପ୍ର ସେତିକି ପରିବ୍ୟାପ୍ତ । ଗବେଷଣାରୁ ଜଣାଯାଏ ଯେ ସତ୍ୟ ସମ୍ୱାଦ ତୁଳନାରେ ଅସତ୍ୟ ସମ୍ୱାଦ ସାତ ଗୁଣ ବେଗରେ ସୋସିଆଲ ମିଡ଼ିଆରେ ବିତରିତ ‘ସେୟାର’ ହୋଇଥାଏ । ଅତୀତ ଅଭିଜ୍ଞତାକୁ ପୁଞ୍ଜିକରି ଫେସବୁକ, ଟୁଇଟର, ୟୁଟ୍ୟୁବ ଓ ଟିକଟକ ଭଳି ସୋସିଆଲ ମିଡ଼ିଆ ମଞ୍ଚରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ପ୍ରସାରିତ ଗୁଜବ ରୋକିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ତେବେ ମୋବାଇଲ ଫୋନରେ ବ୍ୟକ୍ତିଗତ ଆଳାପ ଆଲୋଚନା ଓ ହ୍ୱାଟସଅପ ଭଳି କେତେକ ମେସେଞ୍ଜର ଆପ୍ଲିକେସନରେ ଗୁଜବ ପ୍ରସାରଣ ରୋକିବା ନିମନ୍ତେ ବୈଷୟିକ ସୁବିଧା ସୁଯୋଗ ନଥାଏ ।


 

ସୋସିଆଲ ମିଡ଼ିଆରେ ଗୁଜବ ପ୍ରସାରଣପରେ ଠାବ କରି ହଟାଇବା କିମ୍ୱା ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟସୀମାରେ ଅସତ୍ୟ ସମ୍ୱାଦ ବହୁ ସଂଖ୍ୟକଙ୍କ ନିକଟରେ ପହଞ୍ଚି ସାରିଥାଏ । ସେମାନେ ଉତ୍ସୁକତାରେ କାରଣବଶତଃ ଦେଖାସାକ୍ଷାତ, ମୋବାଇଲ ଓ ମେସେଞ୍ଜର ଆପ୍ଲିକେସନ ବ୍ୟବହାର କରି ଗୁଜବ ଶେଷ ପର୍ଯ୍ୟାୟ ପ୍ରସାରରେ ସକ୍ରିୟ କରାଇଥାନ୍ତି । ମାନବ ସଭ୍ୟତା ବିକାଶର ଆଦ୍ୟଭାଗରୁ ଗୁଜବ ଯୋଡ଼ି ହୋଇ ରହିଥିବା ସ୍ଥଳେ ବ୍ୟକ୍ତିଗତସ୍ତରରେ ସୁରକ୍ଷିତ ଅଭିବ୍ୟକ୍ତିଲାଗି ସୋସିଆଲ ମିଡ଼ିଆ ମଞ୍ଚ ଗଢ଼ିତୋଳି ଉଠିଥିଲେ ହେଁ ତାହା ଗୁଜବ ପ୍ରକାଶନ ଲାଗି ସାଧନ ସାଜିଥିବା ଦୁର୍ଭାଗ୍ୟପୂର୍ଣ୍ଣ । କରୋନା ଭୂତାଣୁ ସଂକ୍ରମଣ ଭଳି ଆନ୍ତର୍ଜାତିକ ଜରୁରୀ ଅବସ୍ଥାରେ ସୋସିଆଲ ମିଡ଼ିଆରେ ସତ୍ୟ-ଅସତ୍ୟ ସମ୍ୱାଦ ପ୍ରସାରଣର ସୀମା-ସରହଦ ନିର୍ଦ୍ଧାରଣ ପ୍ରାୟତଃ ବିଫଳ ହୋଇଛି ବୋଲି କହିବାକୁ ହେବ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୪ ଫେବୃୟାରୀ ୨୦୨୦


ତଥ୍ୟ:


 

Death of doctor sparks anger at govt. in China. The Hindu (Cuttack Edition) February 08, 2020


 

Court slams police for crackdown on “remour”.The Hindu (Cuttack Edition) February 01, 2020


 

Chakravorti, Bhaskar. As coronavirus spreads, so does fake news. Business Standard (Bhubaneswar Edition) February 07, 2020

ଭୂତାଣୁଠାରୁ ମାରାତ୍ମକ ଗୁଜବ

ଚୀନର ମଧ୍ୟଭାଗରେ ଅବସ୍ଥିତ ହୁବେଲ ପ୍ରଦେଶର ଉହାନ ସହରରେ ୨୦୧୯ ଡ଼ିସେମ୍ୱର ଶେଷ ୨୦୨୦ ଜାନୁୟାରୀ ଆରମ୍ଭରୁ ମନୁଷ୍ୟ ଶରୀର ଶ୍ୱାସନଳୀରେ କରୋନା ଭୂତାଣୁ ସଂକ୍ରମଣ ମାର୍ଚ୍ଚ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ବିସ୍ତୃତ ଅଞ୍ଚଳକୁ ବ୍ୟାପିଥିଲା । ସମତାଳରେ ସଂକ୍ରମଣକୁ ନେଇ ଗୁଜବ ପ୍ରସାର ରୋଗ ତୁଳନାରେ ଅଧିକ ସାମାଜିକ ବିଶୃଙ୍ଖଳାର କାରଣ ପାଲଟିଥିଲା । ଜନସାଧାରଣଙ୍କ ମାନସିକ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଅର୍ଥନୀତି, ପର୍ଯ୍ୟଟନ ଇତ୍ୟାଦି ଗୁଜବ ଦ୍ୱାରା ପ୍ରଭାବିତ ହୋଇଥିଲା ।


 

କରୋନା ଭୂତାଣୁ ମନୁଷ୍ୟଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବା ସ୍ଥଳେ ଗୁଜବ ଉଭୟ ପାରମ୍ପରିକ ଓ ସାମାଜିକ ଗଣମାଧ୍ୟମକୁ ଆଶ୍ରୟ କରିଥାଏ । ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚ଼େତନତା ଓ ଚିକିତ୍ସା ଭିତ୍ତିଭୂମି ଦୁର୍ବଳ । ଅପରପକ୍ଷେ ଆମ ଦେଶରେ ୫୨ କୋଟି ସ୍ମାର୍ଟଫୋନ ଉପଭୋକ୍ତା ଏବଂ ପ୍ରତି ତିନିଜଣ ଉପଭୋକ୍ତାଙ୍କ ମଧ୍ୟରେ ଦୁଇଜଣ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ହିସାବ କରାଯାଏ । କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଗୁଜବ ପ୍ରସାର ୨୦୨୦ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ସାମାଜିକସ୍ତରରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ଅନୁଭୂତ ହୋଇଥିଲା ।


 

ସମ୍ୱାଦପତ୍ର, ରେଡ଼ିଓ, ଟେଲିଭିଜନ ଭଳି ପାରମ୍ପରିକ ଗଣମାଧ୍ୟମରେ ବୃତ୍ତିଧାରୀ ସାମ୍ୱାଦିକମାନେ ସମ୍ୱାଦ ପରିବେଷଣରେ ସଂପୃକ୍ତ । ସମ୍ୱାଦଦାତା ଓ ସମ୍ପାଦକମାନେ ସମ୍ୱାଦ ଚ଼ୟନ, ରଚନା ଓ ପ୍ରସାରଣର ଦାୟିତ୍ୱ ତୁଲାଇଥାନ୍ତି । ତେବେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଯେକୌଣସି ଉପଭୋକ୍ତା ବାର୍ତ୍ତା ପରିବେଷଣ ତଥା ପ୍ରସାରଣର ଅଧିକାର ଉପଭୋଗ କରେ । ଏଠାରେ ସଂଶୋଧନ କିମ୍ୱା ସମ୍ପାଦନାର ସୁଯୋଗ ଉପଲବ୍ଧ ନଥାଏ ।


 

କେତେକ ସାମାଜିକ ଗଣମାଧ୍ୟମ ମଞ୍ଚରେ ବାର୍ତ୍ତା ପରିବେଷଣ ଓ ପ୍ରସାରଣ ନିମନ୍ତେ ସଂପୃକ୍ତ ବ୍ୟକ୍ତି ଆଇନତଃ ଉତ୍ତରଦାୟୀ ରହିବା ପ୍ରାବଧାନ ଥିଲେହେଁ ଚ଼େତନା ଅଭାବରୁ ଅନେକ କ୍ଷେତ୍ରରେ ଆଇନ ଉଲଂଘନ ଦେଖିବାକୁ ମିଳେ । ହ୍ୱାଟସଆପ ଭଳି ଅନ୍ୟ କେତେକ ମେସେଞ୍ଜର ଆପ୍ଲିକେସନରେ ପ୍ରସାରିତ ବାର୍ତ୍ତା ତୃତୀୟପକ୍ଷ ତନଖି କରିବାର ସୁଯୋଗ ଅଭାବରୁ ଆଇନର ପରିସରଭୁକ୍ତ ହୋଇପାରେ ନାହିଁ । ଫଳରେ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରସାର ନିମନ୍ତେ ଉର୍ବର କ୍ଷେତ୍ର ପ୍ରସ୍ତୁତ ହୋଇଥାଏ ।


 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଶିଳ୍ପଉପଯୋଗୀ ମଦ୍ୟମିଶ୍ରିତ ସାବୁନ ଓ ଜେଲରେ ହାତ ସଫାକଲେ ଭୂତାଣୁ ସଂକ୍ରମଣ ରୋକାଯାଇପାରେବୋଲି ନିର୍ଦ୍ଦେଶନାମାଜାରୀ ପରେ ଏକ ସାମାଜିକ ଗଣମାଧ୍ୟମ ମଞ୍ଚରେ ପ୍ରସାରିତ ବାର୍ତ୍ତାରେ କୁହାଯାଇଥିଲା ଯେ ମଦ୍ୟ ପାନ କରୁଥିବା ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ହେବେ ନାହିଁ । ଦୀର୍ଘ ସମୟଧରି ଏହା ଭାଇରଲ ହେବା ପରେ ଭାରତ ସରକାରଙ୍କ ପରିଚାଳନାଧୀନ ପ୍ରେସ ଇନଫରମେସନ ବ୍ୟୁରୋ ପକ୍ଷରୁ ଏହାକୁ ଏକ ଗୁଜବ ବୋଲି ସ୍ପଷ୍ଟୀକରଣ ଦିଆଯାଇଥିଲା ।


 

ସେହିପରି ଅସମର୍ଥିତ ସୂତ୍ରରୁ ବିଭିନ୍ନ ଚିକିତ୍ସା ପଦ୍ଧତିରେ ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇପାରିବ ସେଭିଳି ସୂତ୍ର ସଂବଳିତ ବାର୍ତ୍ତାମାନ ଭାଇରଲ ହେବାରେ ଲାଗିଥିଲା । ଏହାର ମୁକାବିଲା ନିମନ୍ତେ ସରକାରୀସ୍ତରରେ ପାରମ୍ପରିକ ଓ ଡିଜିଟାଲ ଉଭୟ ଶ୍ରେଣୀର ମଞ୍ଚଗୁଡ଼ିକରେ ବିଳମ୍ୱରେ ପ୍ରତିଷେଧକ ତଥ୍ୟ ସଂବଳିତ ବିଜ୍ଞାପନ ପରିବେଷଣ ଆରମ୍ଭ ହୋଇଥିଲା ।


 

ଗୁଜବକୁ ରୋକିବା ଦିଗରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ସାମ୍ୱାଦିକ ଓ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଉପଭୋକ୍ତାଙ୍କ ଅବଗତି ନିମନ୍ତେ ଗଣମାଧ୍ୟମ ବିଶେଷଜ୍ଞମାନେ ମାର୍ଗଦର୍ଶିକା ପ୍ରସ୍ତୁତ କରିଥାନ୍ତି । ପ୍ରଥମତଃ, ସାଧାରଣଜ୍ଞାନ ଉପଯୋଗରେ କୌଣସି ସମ୍ୱାଦ ଗୁଜବ ପ୍ରତୀୟମାନ ହେଉଥିଲେ ତାହାର ପ୍ରସାରଣ ତୁରନ୍ତ ରୋକିବା ସମସ୍ତଙ୍କ କର୍ତ୍ତବ୍ୟ । ସମ୍ୱାଦଟିର ସତ୍ୟାସତ୍ୟ ସ୍ଥାନୀୟ ଚିକିତ୍ସକ, ଯୋଗାଯୋଗ କରାଯାଇପାରୁଥିବା ବିଶେଷଜ୍ଞ କିମ୍ୱା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବସାଇଟରୁ ତନଖିବାକୁ ପଡ଼ିଥାଏ ।


 

ଗବେଷଣାରୁ ଜଣାଯାଏ ଯେ ଗୁଜବ ସତ୍ୟ ତୁଳନାରେ ଅନ୍ତତଃପକ୍ଷେ ସାତ ଗୁଣ କ୍ଷୀପ୍ରଗତିରେ ପ୍ରସାରିତ ହୋଇଥାଏ । ଏହି କାରଣରୁ ଗୁଜବ ସାମାଜିକ ଗଣମାଧ୍ୟମ ମଞ୍ଚରେ ପହଞ୍ଚିବା ପରେ ଖୁବ କମ ସମୟ ମଧ୍ୟରେ ଅଧିକ ସଂଖ୍ୟକ ପାଠକଙ୍କ ନିକଟତର ହେବା ଆଶଙ୍କା ରହିଥାଏ । ପୁଣି ଅସତ୍ୟ ବାରମ୍ବାର ଉଚ୍ଚାରିତ ହେବା ପରେ ତାହା ସାଧାରଣତଃ ବୃହତ ପାଠକ ମଣ୍ଡଳରେ ସତ୍ୟରୂପେ ଗୃହୀତ ହୋଇଥାଏ ।


 

ଗୁଜବ ପ୍ରତିହତ କରିବା ନିମନ୍ତେ ଯଥାସଂଭବ ତଥ୍ୟ ଆଧାରିତ ସତ୍ୟ ସମ୍ୱାଦ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ସ୍ଥାନିତ କଲେ ସୁଫଳ ମିଳେ । ଗୁଜବକୁ ଅସତ୍ୟ ବୋଲି ଚ଼ିହ୍ନଟ କରି ଅଭିମତ ପ୍ରକାଶନ ସ୍ୱାଗତଯୋଗ୍ୟ । ସମ୍ୱାଦଟି କାହିଁକି ଗୁଜବ ଶ୍ରେଣୀଭୁକ୍ତ ତାହାର କାରଣ ଦର୍ଶାଇବା ଦ୍ୱାରା ତାହା ଅନ୍ୟମାନଙ୍କଦ୍ୱାରା ସହଜରେ ଗୃହୀତ ହୋଇଥାଏ ।


 

ଦ୍ୱିତୀୟତଃ, ରୋଗବ୍ୟାଧି ସଂପର୍କରେ ସବିଶେଷ ତଥ୍ୟ ଜାଣିବା ନିମନ୍ତେ ଜିଜ୍ଞାଷୁମାନେ ଅପେକ୍ଷା କରି ବସିଥାନ୍ତି । ଏହି ଆବେଗକୁ ମୂଳଧନ କରି ଗୁଜବ ବ୍ୟାପିଥାଏ । ଏତାଦୃଶ ପରିବେଶର ମୁକାବିଲା କରିବା ନିମନ୍ତେ ଉଭୟ ପାରମ୍ପରିକ ଓ ସାମାଜିକ ଗଣମାଧ୍ୟମରେ ସମ୍ୱାଦ ପରିବେଷଣ କରିବା ସମୟରେ ବହୁଳ ପ୍ରସାରିତ ସମ୍ୱାଦ ସୂତ୍ର ବଦଳରେ ଭୂତାଣୁ ସଂକ୍ରମଣ ସଂପର୍କରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ ଓ ପ୍ରସାରଣକୁ ଅଗ୍ରାଧିକାର ଦେବା ଉଚିତ ।


 

ପ୍ରତିକୂଳ ପରିବେଶରେ ବିପଦମୁକ୍ତ ହେବା ନିମନ୍ତେ ଜନସାଧାରଣ କ’ଣ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦେଇଥାନ୍ତି । ଏ ସଂପର୍କରେ ତଥ୍ୟାବଳୀ ବାରମ୍ୱାର ପ୍ରକାଶ ସ୍ୱାଗତଯୋଗ୍ୟ । କାରଣ ଗୋଟିଏ ସ୍ତରର ପାଠକ, ଶ୍ରୋତା ବା ଦର୍ଶକ ସଂକ୍ରମଣ ରୋକିବାର ଉପାୟମାନ ସଂପର୍କରେ ଅବଗତ ହୋଇସାରିଥିବା ସ୍ଥଳେ ପରବର୍ତ୍ତୀ ସ୍ତରର ଉପଭୋକ୍ତା ଗଣମାଧ୍ୟମ ମଞ୍ଚଗୁଡ଼ିକରେ ପହଞ୍ଚିଥାନ୍ତି । ସମସ୍ତଙ୍କ ନିକଟରେ ଅନବରତ ସଠିକ ତଥ୍ୟ ବିତରଣ ଗୁଜବ ପ୍ରସାରକୁ ରୋକିଥାଏ । ଏହି କ୍ଷେତ୍ରରେ ପୁନରାବୃତ୍ତି ସ୍ଵାଗତଯୋଗ୍ୟ ।


 

ସଂକ୍ରମଣ କାଳରେ ସାଧାରଣ ପାଠକବର୍ଗ ଶରୀରର ରୋଗ ପ୍ରତିଷେଧକ ଶକ୍ତି, ଚିକିତ୍ସା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ପ୍ରଶାସନ ସଂପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଏହି ବିଷୟଗୁଡ଼ିକ ସାଧାରଣ ସମୟରେ ପାଠକ, ଦର୍ଶକ ଓ ଶ୍ରୋତାଙ୍କ ଦୃଷ୍ଟି ଆକର୍ଷଣ କରିନଥାଏ । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ପର୍ଯ୍ୟାପ୍ତ ଆଲୋଚ଼ନାର ସୁଯୋଗ ସୃଷ୍ଟି ହୋଇଥାଏ । ତେବେ ସଂକ୍ରମଣର ସୁଦୂରପ୍ରସାର ପ୍ରଭାବ, ଯଥା ପାଣିପାଗ ପରିବର୍ତ୍ତନର ଭୂମିକା ଭଳି ବୌଦ୍ଧିକଆଲୋଚ଼ନା ପ୍ରାଥମିକ ଅବସ୍ଥାରେ ଏଡ଼ାଇ ଦେବା ଭଲ ।


 

ତୃତୀୟତଃ, ସଂକ୍ରମଣ ସଂପର୍କୀତ ରଚନାଗୁଡ଼ିକ ଅତିରଞ୍ଜିତ କରିବା, ଶିରୋନାମାରେ ବିଶେଷଣମାନ ଯୋଗ କରିବା ଅଯୌକ୍ତିକ । ସଂକ୍ରମଣ ହିଁ ଦୃଷ୍ଟି ଆକର୍ଷଣକାରୀ ବିଷୟ ଥିବା ସ୍ଥଳେ ଭାଷାଗତ କୌଶଳ ପ୍ରୟୋଗ ଅନାବଶ୍ୟକ । ଅପରପକ୍ଷେ ଅଧିକ ପରିସଂଖ୍ୟାନ ପ୍ରକାଶନ ପ୍ରତି ଧ୍ୟାନ ଦେଲେ ପାଠକୀୟ ଆଗ୍ରହ ବୃଦ୍ଧି ପାଇଥାଏ । ରୋଗ ସଂକ୍ରମଣ ସଂପର୍କରେ କେବଳ ଚିକିତ୍ସକଙ୍କ ଅଭିମତ ଉପସ୍ଥାପନ ବଦଳରେ ରୋଗୀଙ୍କ ଅନୁଭୂତି, ସଂପର୍କୀୟଙ୍କ ଅଭିମତ ଓ ଚିକିତ୍ସାରେ ପ୍ରତ୍ୟକ୍ଷଭାବେଜଡ଼ିତ ସେବିକାମାନଙ୍କ ମନ୍ତବ୍ୟ ମଧ୍ୟ ଗୁରୁତ୍ୱ ବହନ କରିଥାଏ । ସଂକ୍ରମଣ ବ୍ୟାପୁଥିବା ଅବସରରେ ଘନ ଘନ ନୂତନ ତଥ୍ୟାବଳୀ ଉନ୍ମୋଚ଼ିତ ହୋଇଥାଏ । ସେଗୁଡ଼ିକ ନିରନ୍ତର ପାଠକ, ଶ୍ରୋତା ଓ ଦର୍ଶକଙ୍କ ନିକଟରେ ପହୁଞ୍ଚାଇବା ଉଦ୍ୟମ ଅବ୍ୟାହତ ରହିବା ଆଶା କରାଯାଇପାରେ ।


 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ‘କୋଭିଡ଼-୧୯’ ନାମିତ କରାଯାଇଥିଲା । ଏହା ସାଧାରଣତଃ ଆମଦେଶରେ ବର୍ଷା ଓ ଶୀତ ଋତୁରେ ଦେଖାଦେଉଥିବା ଫ୍ଲୁ ରୋଗ ପର୍ଯ୍ୟାୟଭୁକ୍ତ । ପ୍ରତିବର୍ଷ ବିଶ୍ୱବ୍ୟାପୀ କୋଟି କୋଟି ଲୋକ ଫ୍ଳୁ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଗବେଷକମାନଙ୍କ ମତରେ ସଂଭବତଃ କୌଣସି ପଶୁପକ୍ଷୀଙ୍କ ଶରୀରରୁ ମନୁଷ୍ୟ ଶରୀରକୁ କରୋନା ଭୂତାଣୁ ସଂକ୍ରମିତ ହୋଇଛି । ସାଧାରଣ ଫ୍ଲୁ ଭୂତାଣୁ ସଂପର୍କରେ ଚିକିତ୍ସକମାନେ ଅବଗତ ଥିବା ସ୍ଥଳେ କରୋନା ଭୂତାଣୁ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ । ଏହି କାରଣରୁ ପ୍ରଥମରୁ ଚିକିତ୍ସା କିମ୍ୱା ପ୍ରତିଷେଧକ ବ୍ୟବସ୍ଥା ସଂଭବପର ହୋଇପାରି ନଥିଲା । ଅପରପକ୍ଷରେ ସାଧାରଣ ଫ୍ଳୁରେ ମୃତ୍ୟୁ ସଂଖ୍ୟା ମାତ୍ର ୦.୧ ପ୍ରତିଶତ ଥିବା ସ୍ଥଳେ ପ୍ରାଥମିକ ପର୍ଯ୍ୟାୟରେ ‘କୋଭିଡ଼-୧୯’ରେ ୩.୪ ପ୍ରତିଶତ ଗଣନା କରାଯାଇଥିଲା ।


 

କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ବାରମ୍ୱାର ହାତ ଧୋଇବା, ପରିଷ୍କାର ପରିଚ୍ଛନ୍ନତାପ୍ରତି ଦୃଷ୍ଟି ଦେବା ଏବଂ ହାତ ମୁହଁରେ ନଲଗାଇବା ତଥା ଗହଳିଆ ସ୍ଥାନରେ ଚଳପ୍ରଚଳ ଏଡ଼ାଇବା ନିମନ୍ତେ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ମୁହଁରେ ମୁଖ୍ୟତଃ ଆଖି, ନାକ ଓ ପାଟିରେ ବାରମ୍ୱାର ହାତ ମାରିବା ଆମ ଅଭ୍ୟାସ । ୨୦୧୫ରେ ଏକ ଚିକିତ୍ସା ବିଦ୍ୟାଳୟ ଶ୍ରେଣୀଗୃହରେ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆଚ଼ରଣ ଅନୁଧ୍ୟାନରୁ ଜଣାଯାଇଥିଲା ଯେ ହାରାହାରି ପ୍ରତ୍ୟେକ ବ୍ୟକ୍ତି ଘଣ୍ଟାରେ ୨୩ ଥର ମୁହଁରେ ହାତ ମାରିଥାନ୍ତି । ଏହି ଅଭ୍ୟାସ ଆମକୁ ବଦଳାଇବାକୁ ପଡ଼ିବ । କାରଣ କରୋନା ପରେ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ ପ୍ରତିରୋଧରେ ମଧ୍ୟ ତାହା ସହାୟକ ହେବ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ମାର୍ଚ୍ଚ ୨୦୨୦


ତଥ୍ୟ:



Helmuth, Laura. Tip Sheet : Covering the Coronavirus epidemic effectively without spreading misinformation. March 02, 2020. 



<https://www.theopennotebook.com>


 

Tompkins, AI. How newsrooms can tone down their Coronavirus coverage while still reporting responsibility. March 04, 2020 



<https://www.pointer.org>

ମହାମାରୀରେ ଗୁଜବ

ଗଣମାଧ୍ୟମ କ୍ଷେତ୍ରରେ ବୈଷୟିକ ପ୍ରଗତି ଏବଂ ବ୍ୟାପ୍ତି ଆନ୍ତର୍ଜାତିକସ୍ତରରେ ଏକ ପକ୍ଷରେ ସମଗ୍ର ମାନବ ସମାଜ ମଧ୍ୟରେ ବଳିଷ୍ଠ ଯୋଗସୂତ୍ର ସ୍ଥାପନରେ ସହାୟକ ହୋଇଥିବା ସ୍ଥଳେ ଅପରପକ୍ଷରେ ଅସତ୍ୟ, ଅର୍ଦ୍ଧସତ୍ୟ, ଅତିରଞ୍ଜିତ, ଚାଞ୍ଚଲ୍ୟ ଓ ଗୁଜବ ପ୍ରସାର ନିମନ୍ତେ ମଧ୍ୟ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ସୃଷ୍ଟି କରିପାରିଛି । ‘କୋଭିଡ଼-୧୯’ ମହାମାରୀ ପ୍ରତିରୋଧ ନିମନ୍ତେ ଚୀନଠାରୁ ପେରୁ ଯାଏଁ ଭୂତାଣୁ ସଂକ୍ରମଣ କାରଣ ଓ ନିରାକରଣ ସଂପର୍କରେ ଗଣମାଧ୍ୟମ ଉପଯୋଗରେ ବିସ୍ତୃତ ଜନସଂଖ୍ୟାକୁ ଖୁବ କମ ସମୟ ମଧ୍ୟରେ ସଚେତନ କରିବା ସଂଭବପର ହୋଇଥିବା ସ୍ଥଳେ ଅନ୍ଧବିଶ୍ୱାସ ପ୍ରସାରରେ ଧନଜୀବନ ହାନୀର ଊଦାହରଣ ମିଳିଛି ।


 

ମହାମାରୀର ପ୍ରାଥମିକ ଅବସ୍ଥାରେ ୨୦୨୦ ଆରମ୍ଭ ବେଳକୁ ପାରମ୍ପରିକ ଗଣମାଧ୍ୟମ ସାଙ୍ଗକୁ ଇଣ୍ଟରନେଟ ଆଶ୍ରିତ ସୋସିଆଲ ମିଡ଼ିଆର ବ୍ୟାପକ ବ୍ୟବହାରରେ ବିଭିନ୍ନ ରାଷ୍ଟ୍ରର ଜନସାଧାରଣ ଅଭ୍ୟସ୍ତ ହୋଇସାରିଥିଲେ । ଖ୍ୟାତନାମା ମାର୍କିନ ଗବେଷଣା ସଂସ୍ଥା ‘ଇ-ମାର୍କେଟର’ର ଗଣନା ଅନୁଯାୟୀ ଜନସାଧାରଣ ଦୈନିକଭିତ୍ତିରେ ଯୁକ୍ତରାଷ୍ଟ୍ର ଆମେରିକାରେ ୧୨ ଘଣ୍ଟା, ଫ୍ରାନ୍ସ, ଜର୍ମାନ, କାନାଡ଼ା ଓ ବ୍ରିଟେନରେ ନଅରୁ ଦଶ ଘଣ୍ଟା, ଦକ୍ଷିଣ କୋରିଆ, ଜାପାନରେ ସାତ ଘଣ୍ଟା, ଚୀନରେ ଛଅ ଘଣ୍ଟା ଓ ଭାରତରେ ପାଞ୍ଚ ଘଣ୍ଟା ଯାଏଁ ଗଣମାଧ୍ୟମ ମଞ୍ଚରେ ଉପସ୍ଥିତ ରହୁଥିଲେ । ଅତଏବ ମହାମାରୀ ଅବସରରେ ଗଣମାଧ୍ୟମ ଉପଯୋଗରେ ତତ୍ କ୍ଷଣାତ ବିସ୍ତୃତ ଜନସଂଖ୍ୟାଙ୍କୁ ସ୍ୱାସ୍ଥ୍ୟରକ୍ଷା ସୂଚନା ପ୍ରଦାନ ସହଜସାଧ୍ୟ ହୋଇପାରିଥିଲା ।


 

ଶହେ ବର୍ଷ ପୂର୍ବେ ୧୯୧୮-୨୦ରେ ସଂଘଟିତ ଇନଫ୍ଲୁଏଞ୍ଜା ମହାମାରୀରେ ଭୂତାଣୁ ସଂକ୍ରମଣ ସଂପର୍କରେ ଜନମାନସରେ ଅଜ୍ଞତା କାରଣରୁ ଯଦି ଆନୁମାନିକ ଦଶ କୋଟି ଯାଏଁ ମୃତ୍ୟୁ ଘଟିଥିଲା ଏବଂ ଶହେ ବର୍ଷ ପରେ ୨୦୨୦ ପ୍ରଥମ ଆଠ ମାସରେ ସାତ ଆଠ ଲକ୍ଷ ମଧ୍ୟରେ ସୀମିତ ରହିଥିଲା; ତେବେ ଚ଼େତନା ପ୍ରସାର ଓ ଲକଡ଼ାଉନ ଭଳି ସାମୂହିକ ପ୍ରତିରୋଧର ସଫଳ ରୂପାୟନ ନିମନ୍ତେ ବାତାବରଣ ସୃଷ୍ଟିର ଶ୍ରେୟ ଗଣମାଧ୍ୟମକୁ ଦିଆଯିବା ବିଧେୟ । ମହାମାରୀକୁ ନେଇ ବିଶ୍ୱବ୍ୟାପୀ ଯେଉଁ ସତର୍କ ପରିବେଶ ସୃଷ୍ଟି ହୋଇପାରିଥିଲା ଗଣମାଧ୍ୟମର ଉପଯୋଗ ବିନା ହୁଏତ ତାହା ସଂଭବ ହୋଇପାରି ନଥାନ୍ତା । ଅପରପକ୍ଷେ ମହାମାରୀରେ ଗଣମାଧ୍ୟମ ଯୋଗେ ଗୁଜବ ପ୍ରସାର ବିତ୍ପାତର ବିବରଣୀ ମଧ୍ୟ କିଛି କମ ନୁହଁ ।


 

‘ଆମେରିକାନ ଜର୍ଣ୍ଣାଲ ଅଫ ଟ୍ରପିକାଲ ମେଡ଼ିସିନ ଏଣ୍ଡ ହାଇଜିନ’ରେ ୨୦୨୦ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶିତ ଏକ ନିବନ୍ଧ ଅନୁଯାୟୀ ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ସ୍ପେନ, ଇଣ୍ଡୋନେସିଆ ଓ ବ୍ରାଜିଲ ପ୍ରଭୃତି ରାଷ୍ଟ୍ରରେ ମହାମାରୀ ଅବସରରେ ମୁଖ୍ୟତଃ ସମ୍ୱାଦ ପୋର୍ଟାଲ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ ବ୍ୟାପକ ମାତ୍ରାରେ ସ୍ୱାସ୍ଥ୍ୟରକ୍ଷା ସଂପର୍କୀତ ଗୁଜବ ପ୍ରସାରିତ ହୋଇଥିଲା । ଗବେଷକଗଣ ୮୭ ଗୋଟି ରାଷ୍ଟ୍ରରେ ୩୧ ଡ଼ିସେମ୍ୱର ୨୦୧୯ରୁ ୫ ଏପ୍ରିଲ ୨୦୨୦ ମଧ୍ୟରେ ପ୍ରସାରିତ ୨,୨୭୬ ଗୋଟି ‘କୋଭିଡ଼-୧୯’ ସଂକ୍ରାନ୍ତୀୟ ସମ୍ୱାଦକୁ ବିଶ୍ଳେଷଣ କରି ସେହି ମଧ୍ୟରୁ ୧,୮୫୬ ଗୋଟି ମିଥ୍ୟା, ୧୭୬ ଗୋଟି ଭ୍ରମାନ୍ତକ, ୩୧ ଗୋଟି ଅଣସ୍ୱୀକୃତ ସମ୍ୱାଦ ଚ଼ିହ୍ନଟ କରିଥିବା ସ୍ଥଳେ ମାତ୍ର ୨୦୪ ଗୋଟି ସତ୍ୟତା ଆଧାରିତ ଥିବା ଜାଣିବାକୁ ପାଇଥିଲେ । ଅର୍ଥାତ ସାଧାରଣରେ ପ୍ରସାରିତ ସ୍ୱାସ୍ଥ୍ୟରକ୍ଷା ବିଷୟକ ସମ୍ୱାଦ ମଧ୍ୟରେ ମାତ୍ର ନଅ ପ୍ରତିଶତ ସତ୍ୟ ସମ୍ୱାଦ ସହ ୮୨ ପ୍ରତିଶତ ଅସତ୍ୟ, ୮ ପ୍ରତିଶତ ଭ୍ରମାନ୍ତକ ଓ ଏକ ପ୍ରତିଶତ ଅଣସ୍ୱୀକୃତ ସମ୍ୱାଦ ଆଶା କରାଯାଇପାରେ ।


 

ଅନ୍ତଃରାଷ୍ଟ୍ରୀୟସ୍ତରରେ ବହୁଳ ପ୍ରସାରିତ ‘କୋଭିଡ଼-୧୯’ ସଂକ୍ରାନ୍ତୀୟ ଗୁଜବଗୁଡ଼ିକ ମଧ୍ୟରେ ରସୁଣ, ଭିଟାମିନ ସି ଓ ଡ଼ି, କେତେକ ଔଷଧୀୟ ଗୁଳ୍ମ ଖାଇବା ଦ୍ୱାରା ଭୂତାଣୁ ସଂକ୍ରମଣ ରୋକିବା ଓ ରୋଗ ଚିକିତ୍ସା ପରାମର୍ଶ ପ୍ରମୁଖ ସ୍ଥାନ ଅଧିକାର କରିଥିଲା । ଗଳାକୁ ଓଦାଳିଆ ରଖି, ମସଲାଯୁକ୍ତ ଖାଦ୍ୟ ଗ୍ରହଣ ନକରି କରୋନା ଭୂତାଣୁ ସଂକ୍ରମଣକୁ ରୋକା ଯାଇପାରିବ ବୋଲି ପ୍ରଚାରିତ ହୋଇଥିଲା । ଚା, ମଦ, ବ୍ଳିଚ ପାଉଡ଼ର, ଭାରତରେ ଗୋମୂତ୍ର ଓ ସାଉଦୀ ଆରବରେ ଓଟ ମୂତ୍ର ସେବନ ଦ୍ୱାରା ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ବୋଲି ଅନେକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ନିମନ୍ତେ ସୋସିଆଲ ମିଡ଼ିଆ ବ୍ୟବହୃତ ହୋଇଥିଲା । ଦଶ ସେକେଣ୍ଡ ଯାଏଁ ନିଃଶ୍ୱାସ ବନ୍ଦ ରଖି ଆତ୍ମ-ସଂକ୍ରମଣ ପରୀକ୍ଷଣ ସମ୍ଭବପର ବୋଲି ଗୁଜବରେ ବହୁ ଲୋକ ବିଶ୍ୱାସ କରିଥିଲେ ।


 

ସେହିପରି ‘କୋଭିଡ଼-୧୯’ ସଂକ୍ରମଣର ନୂତନ କରୋନା ଭୂତାଣୁ ଚୀନ ପରୀକ୍ଷାଗାରରେ ପ୍ରସ୍ତୁତ କରାଯାଇ ଅନ୍ୟତ୍ର ଜୈବିକ-ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବା, ଆନ୍ତର୍ଜାତିକ ଔଷଧ ବ୍ୟବସାୟୀମାନେ ଭୂତାଣୁ ସଂକ୍ରମଣ ଆୟୋଜନ କରି ପ୍ରତିଷେଧକ ଟୀକା ଚଢ଼ା ଦରରେ ବିକ୍ରୀ କରି ଅର୍ଥ ଉପାର୍ଜନ ଲାଗି ଲକ୍ଷ୍ୟ ରଖିଥିବା ଏବଂ କେତେକ ନିର୍ଦ୍ଦିଷ୍ଟ ଧର୍ମାବଲମ୍ୱୀମାନଙ୍କ ବଂଶ ଉତ୍ପାଟନ ନିମନ୍ତେ ଭୂତାଣୁ ସଂକ୍ରମଣ ଭଳି ମନ୍ତ୍ରଣା କରାଯାଇଥିବା ଆଶଙ୍କା ସମ୍ୱନ୍ଧିତ ଗୁଜବ ମଧ୍ୟ ଚୀନ, ଇରାନ, ଋଷ, ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରସାରିତ ହୋଇଥିବା ସର୍ବେକ୍ଷଣରୁ ଜଣାଯାଇଥିଲା ।


 

ମହାମାରୀରେ ପ୍ରସାରିତ ସ୍ୱାସ୍ଥ୍ୟରକ୍ଷା ଗୁଜବଗୁଡ଼ିକ ମଧ୍ୟରୁ କେତେକ କ୍ଷତିକାରକ ସାବ୍ୟସ୍ତ ହୋଇଥିଲା । ଉଦାହରଣରେ ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ମିଥାଏଲ ଆଲକାହଲ ପାନ କରି ବିଭିନ୍ନ ରାଷ୍ଟ୍ରରେ ୮୦୦ ଯାଏଁ ମୃତ୍ୟୁ ବରଣ, ୬୦ରୁ ଉର୍ଦ୍ଧ୍ୱ ଦୃଷ୍ଟିଶକ୍ତି ହରାଇଥିବା ଏବଂ ୫,୮୭୬ ଜଣ ପ୍ରତିକ୍ରିୟାଜନିତ ଚ଼ିକିତ୍ସା ନିମନ୍ତେ ହସପିଟାଲରେ ଭର୍ତ୍ତି ହୋଇଥିବା ତଥ୍ୟ ମିଳିଥିଲା ।


 

ମହାମାରୀରେ ସ୍ୱାସ୍ଥ୍ୟରକ୍ଷା ଗୁଜବ ପ୍ରସାର ଯୋଗୁଁ ସାମାଜିକ ବିଶୃଙ୍ଖଳାର ଇତିହାସ ଅଧ୍ୟୟନ କଲେ ଏକବିଂଶ ଶତାଦ୍ଦୀରେ ସୋସିଆଲ ମିଡ଼ିଆର ବ୍ୟାପ୍ତି ଫଳରେ ବିଭିନ୍ନ ରାଷ୍ଟ୍ରରେ ଆଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଉଦାହରଣ ଦେଖିବାକୁ ମିଳେ । ଦକ୍ଷିଣ ଆଫ୍ରିକାରେ ଏଡସ ପ୍ରସାର କାଳରେ ଗୁଜବ କାରଣରୁ ଜନସାଧାରଣ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣରେ ଉଦାସୀନ ହେବା ହେତୁ ତିନି ଲକ୍ଷ ତିରିଶି ହଜାର ପ୍ରାଣହାନୀ ଘଟିଥିଲା । ସେହିପରି ୨୦୧୫-୧୬ରେ ବ୍ରାଜିଲରେ ଜାଇକା ଭୂତାଣୁକୁ ଗୁଜବରେ ବିଶ୍ୱାସ କରି ସଂକ୍ରମଣର ପ୍ରତିରୋଧ ବଦଳରେ ସେଠାକାର ଜନସାଧାରଣ ଏହାକୁ ଏକ ଜୈବିକ-ଅସ୍ତ୍ର ରୂପେ ଧରି ନେଇଥିଲେ । କଙ୍ଗୋରେ ୨୦୧୯ରେ ଇବୋଲା ଭୂତାଣୁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀମାନେ ଜାଣିଶୁଣି ସଂକ୍ରମିତ କରାଉଥିବା ଗୁଜବରେ ବିଶ୍ୱାସ କରି ବହୁ ସ୍ଥାନରେ ଆକ୍ରମଣ କରିଥିଲେ ।


 

ଆଲୋଚ୍ୟ ଗବେଷଣାର ମୁଖ୍ୟ ମହମ୍ମଦ ସଇଫାଲ ଇସଲାମ ବାଂଲାଦେଶର ‘ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଡ଼ାୟରିଆଲ ଡିଜିଜ୍ ରିସର୍ଚ୍ଚ’ ଏବଂ ଆଷ୍ଟ୍ରେଲିଆର ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଧ୍ୟାପନା କରନ୍ତି । ମହାମାରୀରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ସ୍ୱାସ୍ଥ୍ୟରକ୍ଷା ଗୁଜବ ପ୍ରସାରର ଗତି ଓ ପ୍ରକୃତି ସଂପର୍କରେ ସମୟ ଉପଯୋଗୀ ତଥ୍ୟ ଆଧାରିତ ନିବନ୍ଧ ପ୍ରକାଶ କରି ଏହି ଭଳି ଏକ ସାମାଜିକ ବିଶୃଙ୍ଖଳାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେଦିଗରେ ମଧ୍ୟ ସୁଚିନ୍ତିତ ଅଭିମତ ଉପସ୍ଥାପନ କରିଛନ୍ତି ।


 

ସଇଫାଲ ଇସଲାମ, ପ୍ରଥମତଃ, ସୋସିଆଲ ମିଡ଼ିଆରେ ସ୍ୱାସ୍ଥ୍ୟରକ୍ଷା ଗୁଜବ ପ୍ରସାରଣକୁ ରୋକିବା ନିମନ୍ତେ ସମୀକ୍ଷା ଭିତ୍ତିଭୂମି ପ୍ରସ୍ତୁତ କରିବା ଏବଂ ଗୁଜବ ଚ଼ିହ୍ନଟ ହେବାପରେ ସତ୍ୟାସତ୍ୟ ଜନସାଧାରଣଙ୍କ ନିକଟରେ ପହୁଞ୍ଚାଇବା ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଆରୋପ କରିଥାନ୍ତି । ଦ୍ୱିତୀୟତଃ, ସୋସିଆଲ ମିଡ଼ିଆରେ ଗୁଜବ କ୍ଷୀପ୍ରଗତିରେ ପ୍ରସାରିତ ହେଉଥିବା ହେତୁ ସତ୍ୟାସତ୍ୟ ଉଭୟ ସୋସିଆଲ ମିଡ଼ିଆ ଓ ପାରମ୍ପରିକ ଗଣମାଧ୍ୟମ ଉପଯୋଗରେ ତତ୍ କ୍ଷଣାତ ବିତରଣର କାର୍ଯ୍ୟଶୈଳୀ ପ୍ରସ୍ତୁତ କରିବା ବିଧେୟ । ତୃତୀୟତଃ, ଗୁଜବକୁ ଫଳପ୍ରଦ ଢଙ୍ଗରେ ରୋକିବାକୁ ହେଲେ ସ୍ଥାନୀୟ ଯୁବକମାନଙ୍କୁ ନେଇ ସ୍ୱେଚ୍ଛାସେବୀ ବାହିନୀ ଗଠନ କରି ସେମାନଙ୍କ ଜରିଆରେ ସତ୍ୟାସତ୍ୟର ଗଭୀର ପ୍ରସାରଣ ‘ହାଇପର ଲୋକାଲ ପେନିଟ୍ରେସନ’ ପ୍ରଣାଳୀ ଅନୁସରଣ କରାଯିବା ଆବଶ୍ୟକ । ଏତଦ୍ ବ୍ୟତୀତ ଗୁଜବ ପ୍ରସାରଣ ବିରୋଧୀ ବିଧେୟକଗୁଡ଼ିକର ଉପଯୋଗରୁ ମଧ୍ୟ ସାମାଜିକସ୍ତରରେ ବିଶୃଙ୍ଖଳା ସୃଷ୍ଟିକୁ କେତେକାଂଶରେ ଆୟତ୍ତ କରାଯାଇପାରେ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୧ ଅଗଷ୍ଟ ୨୦୨୦


ତଥ୍ୟ:



Sharma, Sachita. Pandemic rumour-mongering led to deaths, injuries and violence : Analysis. www.hindustantimes.com. August 15, 2020.  



<www.hindustantimes.com/india-news-pandemic-rumour-mongering-led-to-dealth-injuries-and-violence-analysis/story-JylvrbHC9olphq9vE5tWwJ.html>


ମାତ୍ରାଧିକ ସୂଚନା ସମସ୍ୟା

କୌଣସି ନିର୍ଦ୍ଦିଷ୍ଟ ବିଷୟରେ ମାତ୍ରାଧିକ ସୂଚନା ତତ୍ସମ୍ୱନ୍ଧୀୟ ଫଳପ୍ରଦ ବିଶ୍ଳେଷଣ ଓ ନିର୍ଯ୍ୟାସ ନିର୍ଣ୍ଣୟରେ ପ୍ରତିବନ୍ଧକ ସାଜିଥାଏ । ମାତ୍ରାଧିକ ସୂଚନା ‘ଇନଫରମେସନ ଓଭରଲୋଡ଼’ ଯୋଗାଯୋଗ ଅଧ୍ୟୟନ କ୍ଷେତ୍ରରେ ବିଂଶ ଶତାଦ୍ଦୀ ଷଷ୍ଠ ଦଶକରୁ ଆରମ୍ଭ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ରେଡ଼ିଓ ଓ ଟେଲିଭିଜନ ପ୍ରସାରଣ ସାର୍ବଜନୀନ ହେବା ତଥା ମୁଦ୍ରଣ ମଞ୍ଚର ବ୍ୟାପକ ବ୍ୟବହାର ମାତ୍ରାଧିକ ସୂଚନା ପ୍ରସାରର କାରଣ ପାଲଟିଥିଲା ।


 

ମାତ୍ରାଧିକ ସୂଚନା ବ୍ୟକ୍ତି ଓ ଘଟଣାକେନ୍ଦ୍ରୀକ। ଅର୍ଥାତ, ନିର୍ଦ୍ଦିଷ୍ଟ ବିଷୟରେ ଯେଉଁ ପରିମାଣର ସୂଚନା ଜଣେ ବ୍ୟକ୍ତିଙ୍କ ପକ୍ଷେ ଅଧିକ ବିବେଚନା କରାଯାଏ, ତାହା ହୁଏତ ଅନ୍ୟ ଜଣେ ବ୍ୟକ୍ତିଙ୍କ ପକ୍ଷେ ସାଧାରଣବୋଧ ହୋଇପାରେ । ସେହିପରି ଗୋଟିଏ ଘଟଣା ସଂପର୍କରେ କେତେ ପରିମାଣରେ ସୂଚନା ମାତ୍ରାଧିକ ପରିଗଣିତ ହେବ, ତାହା ଘଟଣା ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କ ଦ୍ୱାରା ପୂର୍ବରୁ ସଂଗୃହୀତ ତଥ୍ୟ, ଅନୁଭୂତି ତଥା ଜ୍ଞାନ ଉପରେ ନିର୍ଭରଶୀଳ । ମୋଟଉପରେ କହିବାକୁ ଗଲେ ବ୍ୟକ୍ତିଗତସ୍ତରରେ ଧାରଣା‘ ଫ୍ରେମ-ଅଫ-ରିଫରେନ୍ସ’ ଯେକୌଣସି ବିଷୟରେ ସୂଚନା ପରିମାଣର ପରିମାପକ ।


 

ସୂଚନା ବ୍ୟକ୍ତିବିଶେଷଙ୍କୁ ନିର୍ଦ୍ଦିଷ୍ଟ ବିଷୟଟି ବୁଝି ନିଷ୍ପତ୍ତି ଗ୍ରହଣରେ ସହାୟକ ହେଉଥିବା ସ୍ଥଳେ ଆବଶ୍ୟକତାରୁ କମ ସୂଚନା ଯୋଗୁଁ ବିଷୟଟିକୁ ସଂପୂର୍ଣ୍ଣରୂପେ ନବୁଝିପାରି ଭୂଲ ନିଷ୍ପତ୍ତି ନେବା ଦେଖିବାକୁ ମିଳେ । ଠିକ୍ ସେହିପରି ଆବଶ୍ୟକତାଠାରୁ ଅଧିକ ସୂଚନା ସଂସ୍ପର୍ଶରେ ଆସି ମଧ୍ୟ ମାନସିକସ୍ତରରେ ସନ୍ତୁଳନ ହରାଇ ସଠିକ ନିର୍ଦ୍ଧାରଣ ନକରିପାରିବା ତଥା ନିଷ୍ପତ୍ତି ଗ୍ରହଣରେ ଅକ୍ଷମତାର ଶୀକାର ହୋଇଥାଏ । ବିଶେଷଜ୍ଞମାନଙ୍କ ମତରେ ବ୍ୟକ୍ତିବିଶେଷଙ୍କ କୌଣସି ବିଷୟ ସଂପର୍କରେ ବିଶ୍ଳେଷଣ କ୍ଷମତା ‘ପ୍ରୋସେସିଂ କାପାସିଟି’ ବର୍ହିଭୂତ ସୂଚନାର ଉପସ୍ଥିତିକୁ ମାତ୍ରାଧିକ ସୂଚନା ସମସ୍ୟା ‘ଇନଫରମେସନ ଓଭରଲୋଡ଼’ ରୂପେ ଚିହ୍ନିତ କରାଯାଇଥାଏ । ଏହା ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ବିଷୟରେ ନିଷ୍ପତ୍ତି ଗ୍ରହଣରେ ଗୁଣବତ୍ତାକୁ ପ୍ରଭାବିତ କରିବା ଭୟ ଲାଗିରହେ ।


 

ମନସ୍ତତ୍ତ୍ୱବିତମାନଙ୍କ ଗବେଷଣାରୁ ଜଣାଯାଏ ଯେ ମନୁଷ୍ୟ ନିର୍ଦ୍ଦିଷ୍ଟ ପରିମାଣରେ ଚଳନ୍ତି ଘଟଣାବଳୀ ସଂପର୍କୀତ ତଥ୍ୟ ମନେ ରଖିପାରେ । ମାତ୍ରାଧିକ ସୂଚନାର ସଂସ୍ପର୍ଶରେ ଆସିଲେ ଅସ୍ପଷ୍ଟତା‘କନଫିଉଜନ’ସୃଷ୍ଟି ହୁଏ । ଉଦାହରଣରେ ସ୍ଥଳ ବିଶେଷରେ ସୂଚନାରେ ଜଟିଳତା ‘କମ୍ପ୍ଳେସିଟି’ ଗ୍ରହୀତାକୁ ବିଷୟଟିକୁ ଠିକ୍ ବୁଝିବାରେ ପ୍ରତିବନ୍ଧକ ସାଜେ । ଗୋଟିଏ ସୂଚନା ବାରମ୍ୱାର ପ୍ରସାରଣ ‘ରିଡ଼ନଡେନ୍ସି’ ଉପଭୋକ୍ତାଙ୍କୁ ବିବ୍ରତ କରିବା ସଂଭବପର । ସେହିପରି ସୂଚନାରେ ବିରୋଧୋକ୍ତି ‘କଣ୍ଟ୍ରାଡିକ୍ସନ’ ଏବଂ ଅସଙ୍ଗତି ‘ଇନକନଷ୍ଟିଟେନ୍ସି’ ସୂଚନା ବିଶ୍ଳେଷଣ କ୍ଷମତା ହ୍ରାସ କରିଥାଏ ।


 

ପ୍ରଯୁକ୍ତିବିଦ୍ୟାର ବିକାଶ ସୂଚନା ସରବରାହ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି । ଆଧୁନିକ ବୈଷୟିକ କୌଶଳ ପ୍ରୟୋଗରେ ସୂଚନା ପ୍ରସାରଣ କ୍ଷେତ୍ରରେ ତଥ୍ୟାବଳୀର ପରିମାଣ ବୃଦ୍ଧି, ସହଜସାଧ୍ୟ ବିତରଣ ପ୍ରକ୍ରିୟା ପ୍ରଚଳନ ଓ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ମାତ୍ରାଧିକ ସୂଚନା ସମସ୍ୟା ସୃଷ୍ଟିର କାରଣ । ବିଶେଷକରି ବିଶ୍ୱ ଜନସଂଖ୍ୟାର ଅର୍ଦ୍ଧେକ ଇଣ୍ଟରନେଟ ଦ୍ୱାରା ସଂଯୁକ୍ତ ତଥା ବହୁସଂଖ୍ୟକ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ଉପଯୋଗ ଅଭ୍ୟସ୍ତ ହେବାପରେ ସୂଚନା ବ୍ୟବହାର କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଫଳତଃ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଶେଷ ସୁଦ୍ଧା ବିଶ୍ୱବ୍ୟାପୀ ଏକ ସୂଚନା ବିସ୍ପୋରଣ ପରିବେଶ ସୃଷ୍ଟି ହୋଇଥିବା ଅଭିଯୋଗ କରାଯାଏ ।


 

ସୂଚନା ପ୍ରସାରଣର ଇତିହାସ ଅନୁଧ୍ୟାନ କଲେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାଦ୍ଦୀରେ ଆଲେକଜେଣ୍ଟ୍ରିଆଠାରେ ଏକ ବିଶାଳ ଗ୍ରନ୍ଥାଗାର ନିର୍ମିତ ହୋଇଥିବା ପ୍ରମାଣ ମିଳେ । କଥିତ ଓ ଲିଖିତ ଭାଷା ପ୍ରଚଳନ ପରେ ହସ୍ତଲିଖିତ ପୁସ୍ତକ ହିଁ ସୂଚନା ସଂରକ୍ଷଣ ଓ ପ୍ରସାରଣର ଏକମାତ୍ର ମାଧ୍ୟମରୂପେ ମୁଣ୍ଡ ଟେକିଥିଲା । ଖ୍ରୀଷ୍ଟପର ପ୍ରଥମ ଶତାଦ୍ଦୀ ବେଳକୁ ରୋମ ଓ ଅନ୍ୟ ୟୁରୋପୀୟ ସହରଗୁଡ଼ିକରେ ଗ୍ରନ୍ଥାଗାର ଓ ସଂଗ୍ରହାଳୟମାନ ସ୍ଥାପିତ ହୋଇ ସର୍ବସାଧାରଣଙ୍କ ବ୍ୟବହାର ଉଦାହରଣ ସୂଚନା ପ୍ରସାରଣ କ୍ଷେତ୍ରରେ ପ୍ରାଥମିକ ବିଧିବଦ୍ଧ ଯୋଜନା ମାନ୍ୟତାର ହକଦାର ।


 

ପଞ୍ଚଦଶ ଶତାଦ୍ଦୀର ମଧ୍ୟଭାଗରେ ଜୋହାନ୍ସ ଗୁଟେନବର୍ଗଙ୍କ ଦ୍ୱାରା ମୁଦ୍ରଣ ଯନ୍ତ୍ର ଉଦ୍ଭାବନ ପରେ ମୁଦ୍ରିତ କାଗଜ ତଥା ପୁସ୍ତକ ପ୍ରକାଶନ ଓ ବିତରଣର ପଥ ଉନ୍ମୁକ୍ତ ହୋଇଥିଲା । ୟୁରୋପ ଓ ବ୍ରିଟେନରେ ୧୭୫୦ ରୁ ୧୮୦୦ ମଧ୍ୟରେ ବହୁ ସଂଖ୍ୟାରେ ପୁସ୍ତକ ମୁଦ୍ରିତ ହେବାପରେ ପ୍ରଥମଥର ନିମନ୍ତେ ତତ୍ କାଳୀନ ଦାର୍ଶନିକମାନେ ମାତ୍ରାଧିକ ସୂଚନା ସଂପର୍କୀତ ସମସ୍ୟା ସଂପର୍କରେ ବିଚାର ବିମର୍ଷ କରିଥିବା ଜଣାଯାଏ । ତଥ୍ୟ ପ୍ରସାରଣଜନିତ ବିଭ୍ରାଟରୁ ମୁକ୍ତି ପାଇବା ନିମନ୍ତେ ବିଦ୍ୟାର୍ଥୀ, ଗବେଷକ ଓ ବୁଦ୍ଧିଜୀବୀମାନେ ବ୍ୟକ୍ତିଗତସ୍ତରରେ ସୂଚନା କୋଷମାନ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେହି ଅଭ୍ୟାସ ଆଜିଯାଏଁ ମୁଦ୍ରିତ ପତ୍ରପତ୍ରିକା ତଥା ପୁସ୍ତକରୁ ଉଦ୍ଧୃତି ସଂଗ୍ରହ କରି ସଂରକ୍ଷଣ ‘କ୍ଳିପିଂ’ ବ୍ୟବସ୍ଥା ବଳବତ୍ତର ରହିଛି । ମାତ୍ରାଧିକ ସୂଚନା ସମସ୍ୟାରୁ ବର୍ତ୍ତିବା ନିମନ୍ତେ ଏହା ସର୍ବପ୍ରାଚ଼ୀନ ପ୍ରଚଳିତ ପନ୍ଥା ।


 

ଯୋଗାଯୋଗ ବିଶେଷଜ୍ଞମାନେ ଏକବିଂଶ ଶତାଦ୍ଦୀରେ ମାନବସଭ୍ୟତା ତଥ୍ୟ ବନ୍ୟାର ସ୍ରୋତରେ ବୁଡ଼ିଯାଉଥିବା ପରିସ୍ଥିତି ଚିତ୍ରଣ କରିଥାନ୍ତି । ପରିବର୍ତ୍ତିତ ପରିବେଶରେ ମନୁଷ୍ୟ ଆବଶ୍ୟକତାରୁ ବହୁ ଅଧିକ ତଥ୍ୟ ପରସ୍ପର ମଧ୍ୟରେ ବିତରଣ କରୁଥିବା ଅଭିଯୋଗ ବାଢ଼ିଥାନ୍ତି । ମାତ୍ରାଧିକ ସୂଚନା ସାମଗ୍ରୀକ ଭାବେ ସମାଜରେ ଆତୁରଭାବ ‘ଏଙ୍ଗଜାଇଟି’ ଉଦ୍ରେକର କାରଣ ପାଲଟିଥାଏ । ଆମେ ସୂଚନା ଆଧାରରେ ଯେତିକି ତଥ୍ୟ ପାଉ ତାହାଠାରୁ ଢ଼େର ଅଧିକ ଜାଣିବାକୁ ଚ଼େଷ୍ଟାକରୁ । ଫଳରେ ନିରନ୍ତର ଆତୁରତାର ପରିଧିରେ ସମୟ ବିତାଉ ।


 

ମହାମାରୀ ‘କୋଭିଡ଼-୧୯’ ବ୍ୟାପ୍ତି ଅବସରରେ ମାତ୍ରାଧିକ ସୂଚନା ସମସ୍ୟା ହେତୁ ସମାଜରେ ସୃଷ୍ଟ ମାନସିକ ସନ୍ତୁଳନହାନୀ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତରେ ମହାମାରୀ ପ୍ରସାର ବେଳକୁ ପ୍ରାୟ ୮୦ ରୁ ୯୦ ପ୍ରତିଶତ ଦେଶବାସୀ ସମ୍ୱାଦପତ୍ର ପଢ଼ିବା, ରେଡ଼ିଓ ଶୁଣିବା ବା ଟେଲିଭିଜନ ଦେଖୁଥିବା ହିସାବ କରାଯାଏ । ଜାତୀୟସ୍ତରରେ ୩୮ ପ୍ରତିଶତ ଓ ଓଡ଼ିଶାରେ ୨୮ ପ୍ରତିଶତ ଜନସାଧାରଣ ଇଣ୍ଟରନେଟ ସହ ସଂଯୁକ୍ତ ଥିଲେ । ରାଜ୍ୟର ଟେଲିଫୋନ ଉପଭୋକ୍ତା ସଂଖ୍ୟା ୩ କୋଟି ୪୬ ଲକ୍ଷରେ ପହଞ୍ଚିଥିଲା ।


 

ମହାମାରୀ ସଂକ୍ରମଣ ନିୟନ୍ତ୍ରଣ ପ୍ରକ୍ରିୟାରେ ଜନବସତି ବନ୍ଦ ‘ଲକଡ଼ାଉନ’ ହେତୁ ମୁଦ୍ରିତ ସମ୍ୱାଦପତ୍ର ପ୍ରସାରଣ ବାଧାପ୍ରାପ୍ତ ହୋଇଥିଲେ ହେଁ ଟେଲିଭିଜନ ଦେଖାରେ ସମୟ ବିନିଯୋଗ ୪୩ ପ୍ରତିଶତ ବୃଦ୍ଧିପ୍ରାପ୍ତ ହୋଇଥିଲା । ପୂର୍ବରୁ ଦର୍ଶକ ମାନେ ହାରାହାରି ଦୈନିକ ୩ ଘଣ୍ଟା ୪୬ ମିନଟ ଟେଲିଭିଜନ ଦେଖୁଥିବା ସ୍ଥଳେ ପରବର୍ତ୍ତୀ ଅବସ୍ଥାରେ ୪ ଘଣ୍ଟା ୪୮ ମିନଟରେ ପହଞ୍ଚିଥିବା ହିସାବ କରାଯାଏ । ସେହିପରି ଭାରତୀୟମାନଙ୍କ ମଧ୍ୟରୁ ୯୮ ପ୍ରତିଶତ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ପହଞ୍ଚୁଥିବା ସ୍ଥଳେ ମହାମାରୀ ପୂର୍ବାବସ୍ଥାରେ ଦୈନିକ ବ୍ୟବହାର ସୀମା ୩ ଘଣ୍ଟା ୪୦ ମିନଟରୁ ୪ ଘଣ୍ଟା ୩୦ ମିନଟକୁ ବୃଦ୍ଧି ହୋଇଥିଲା ।


 

ଉପରୋକ୍ତ ପରିସଂଖ୍ୟାନ ଉଲ୍ଲେଖ କରାଯିବାର ଉଦ୍ଦେଶ୍ୟ ମହାମାରୀ ଅବସରରେ ସଂଖ୍ୟାଧିକ ଦେଶବାସୀଙ୍କ ମଧ୍ୟରେ ଅଧିକ ମାତ୍ରାରେ ସୂଚନା ପ୍ରସାରଣ ପ୍ରମାଣିତ କରେ । ମୌଳିକଭାବେ ମାତ୍ରାଧିକ ସୂଚନା ଆହରଣରେ ବ୍ୟକ୍ତିବିଶେଷ ମାନସିକସ୍ତରରେ ଭରାକ୍ରାନ୍ତ ହୋଇପଡ଼ିଥାଏ । ମାତ୍ରାଧିକ ସୂଚନା ଯେକୌଣସି ବିଷୟ ବିଶ୍ଳେଷଣରେ ପ୍ରତିବନ୍ଧକ ସାଜୁଥିବା ତଥା ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କ୍ଷମତାକୁ ସଙ୍କୁଚିତ କରୁଥିବା ହେତୁ ସେହି କ୍ରମରେ ଦେଶବିଦେଶର ବହୁ ସଂଖ୍ୟକ ମହାମାରୀ ସଂକ୍ରମଣ ସମୟସୀମାରେ ମାନସିକସ୍ତରରେ ସନ୍ତୁଳନ ହରାଇବସୁଥିବା ବିଶ୍ୱାସ କରାଯାଏ ।ଏଥିଯୋଗୁଁ ଅସଂଖ୍ୟ ସାମାଜିକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି ।


 

ମାତ୍ରାଧିକ ସୂଚନା ସମସ୍ୟାର ମୁକାବିଲା କରିବା ନିମନ୍ତେ ବିଶେଷଜ୍ଞମାନେ ପ୍ରଥମତଃ ସୂଚନା ଆହରଣର ମାତ୍ରା କମାଇବା ନିମନ୍ତେ ପରାମର୍ଶ ଦିଅନ୍ତି । ସମ୍ୱାଦପତ୍ର ହେଉ କିମ୍ୱା ଟେଲିଭିଜନ କିମ୍ୱା ଇଣ୍ଟରନେଟ, ଯେକୌଣସିମଞ୍ଚ ସୀମିତ ସମୟ ନିମନ୍ତେ ବ୍ୟବହାର କଲେ ବ୍ୟକ୍ତିଗତସ୍ତରରେ ମାତ୍ରାଧିକ ସୂଚନାକୁ ନିୟନ୍ତ୍ରଣ କରାଯାଇପାରେ । ଦ୍ୱିତୀୟତଃ, ବହୁ ସୂତ୍ରରୁ ସୂଚନା ଓ ତଥ୍ୟ ପ୍ରସାରିତ ହେଉଥିଲେ ହେଁ ନିର୍ଦ୍ଦିଷ୍ଟ କେତେଗୋଟି ନିର୍ଭରଯୋଗ୍ୟ ମଞ୍ଚରୁ ସୂଚନା ସଂଗ୍ରହ କରି ବ୍ୟବହାର କଲେ ସୁଫଳ ମିଳିଥାଏ । ତୃତୀୟତଃ, ମାତ୍ରାଧିକ ସୂଚନା ବ୍ୟବହାରରେ ବିଭ୍ରାନ୍ତି ସଂପର୍କରେ ସଚ଼େତନ ହେଲେ ଏହାର  ମୁକାବିଲା ଲାଗି ଯୋଜନାବଦ୍ଧ ଉଦ୍ୟମ କରାଯାଇପାରେ । ଏସଂପର୍କରେ ଅନ୍ୟମାନଙ୍କ ମଧ୍ୟରେ ଚ଼େତନା ପ୍ରସାର ମଧ୍ୟ ଏକ ସାମାଜିକ କର୍ତ୍ତବ୍ୟ ।    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଏପ୍ରିଲ ୨୦୨୦


ତଥ୍ୟ:



<https://en.m.wikipedia.org>

ମହାମାରୀ ସମ୍ୱାଦ ବିମୁଖ ପାଠକ

ସମ୍ୱାଦ ମଞ୍ଚଗୁଡ଼ିକରେ ସମ୍ପାଦକମାନଙ୍କ ଦ୍ୱାରା ନିର୍ବାଚ଼ିତ ବିଷୟବସ୍ତୁ ଗଣମାଧ୍ୟମ ପରିଧିରେ ପାଠକ, ଶ୍ରୋତା ବା ଦର୍ଶକମାନଙ୍କ ରୁଚ଼ିକୁ କେତେଦୂର ସୁହାଉଛି ତଥା କେତେଦୂର ଗ୍ରହଣୀୟ ହେଉଛି ତାହା କେବଳ ସର୍ବେକ୍ଷଣ ଦ୍ୱାରା ଜାଣିହୁଏ । ବିକଶିତ ରାଷ୍ଟ୍ରଗୁଡ଼ିକରେ ସ୍ୱାଧୀନ ଗଣମାଧ୍ୟମ ସମୀକ୍ଷା ପ୍ରତିଷ୍ଠାନମାନ ରୀତିମତ କାର୍ଯ୍ୟକ୍ଷମ ଥିବା ହେତୁ ଉପଭୋକ୍ତାଙ୍କ ଗତିବିଧି ନିୟମିତ ପରୀକ୍ଷିତ ହୋଇଥାଏ । ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରତିଷ୍ଠିତ ସ୍ୱତନ୍ତ୍ର ଗଣମାଧ୍ୟମ ଗବେଷଣା ସଂସ୍ଥାନମାନ ମଧ୍ୟ ଏଦିଗରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥାନ୍ତି । ତେବେ ଆମ ଦେଶରେ ଏହି ଦିଗରେ ଉଦ୍ୟମ ଓ ପୁଞ୍ଜିନିବେଶ ଅଭାବରୁ ଉଭୟସ୍ତରରେ ପ୍ରଭାବଶୂନ୍ୟ ।


 

‘କୋଭିଡ଼-୧୯’ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ରୂପେ ମୁଣ୍ଡଟେକିବା ହେତୁ ପ୍ରାଥମିକ ଅବସ୍ଥାରୁ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଆସିଥିଲା । ସଂକ୍ରମଣ ସମଗ୍ର ବିଶ୍ୱରେ କାୟା ବିସ୍ତାର ଅବସରରେ ସମସ୍ତ ଗଣମାଧ୍ୟମ ମଞ୍ଚରେ ଦୀର୍ଘକାଳ ଧରି ସମ୍ୱାଦ ପରିବେଷଣରେ ପ୍ରମୁଖ ସ୍ଥାନ ଅଧିକାର କରିବା ପରେ ସମୟକ୍ରମେ ଉପଭୋକ୍ତାଙ୍କ ଧୈର୍ଯ୍ୟଚ୍ୟୂତି ଘଟିଥିବା ଜଣାଯାଏ । ଯୁକ୍ତରାଷ୍ଟ୍ର ଆମେରିକାର ‘ପିଉ ରିସର୍ଚ୍ଚ ସେଣ୍ଟର’ ଏବଂ ବ୍ରିଟେନର ‘ରଏଟର ଇନଷ୍ଟିଟିଉଟ’ ପକ୍ଷରୁ ଆୟୋଜିତ ସର୍ବେକ୍ଷଣଗୁଡ଼ିକ ସେଠାକାର ଭୌଗଳିକ ଅବସ୍ଥିତିରେ ସଂକ୍ରମଣର ଛଅରୁ ଆଠ ସପ୍ତାହ ମଧ୍ୟରେ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ମାତ୍ରାଧିକ ମହାମାରୀ ସମ୍ୱାଦ ପ୍ରସାରରେ ଉପଭୋକ୍ତାଙ୍କ ମଧ୍ୟରେ ବିତୃଷ୍ଣା ଭାବ ଜାଗ୍ରତ ହୋଇଥିବା ହିସାବ କରାଯାଇଥିଲା ।


 

ଯୁକ୍ତରାଷ୍ଟ୍ର ଆମେରିକାର ଖ୍ୟାତିସମ୍ପନ୍ନ ‘ପିଉ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ସେଠାରେ ‘କୋଭିଡ଼-୧୯’ ସଂକ୍ରମଣର ଛଅ ସପ୍ତାହ ପରେ ଏପ୍ରିଲ ୨୦ ରୁ ୨୬ ତାରିଖ ସପ୍ତାହକ ମଧ୍ୟରେ ୧୦,୧୩୯ ଜଣ ବୟସ୍କ ମାର୍କିନ ନାଗରିକଙ୍କ ଗଣମାଧ୍ୟମରେ ମହାମାରୀ ସଂବାଦ ପ୍ରତି ମତିଗତି ସର୍ବେକ୍ଷଣମାଧ୍ୟମରେ ତନଖି କରାଯାଇଥିଲା । ନମୂନାରେ ଅନ୍ତର୍ଭୁକ୍ତ ୮୭ ପ୍ରତିଶତ ନିୟମିତଭାବେ ମହାମାରୀ ସମ୍ୱାଦ ଗଣମାଧ୍ୟମରେ ଅନୁସରଣ କରୁଥିବା ସ୍ୱୀକାର କରିଥିଲେ । ଏମାନଙ୍କ ମଧ୍ୟରୁ ୬୧ ପ୍ରତିଶତ ଉଭୟ ଜାତୀୟ ଓ ଆଞ୍ଚଳିକସ୍ତରରେ ମହାମାରୀର ସ୍ଥିତି ଜାଣିବା ନିମନ୍ତେ ଆଗ୍ରହୀ ଥିବା ସ୍ଥଳେ ୧୫ ପ୍ରତିଶତ ଜାତୀୟ ଓ ୨୩ ପ୍ରତିଶତ ଆଞ୍ଚଳିକ ସମ୍ୱାଦକୁ ଗୁରୁତ୍ୱ ପ୍ରଦାନ କରୁଥିଲେ ।


 

ଗଣମାଧ୍ୟମରେ ମହାମାରୀ ସମ୍ୱାଦ ଲଗାତାର ପ୍ରସାରଣପରେ ୭୧ ପ୍ରତିଶତ ଏଭଳି ସମ୍ୱାଦ ଆହରଣରୁ କ୍ଷାନ୍ତ ରହିବା ନିମନ୍ତେ ବିଚାର କରୁଥିବା ଜଣାଇଥିଲେ । ମହାମାରୀ ସଂପର୍କୀତ ନକାରାତ୍ମକ ସମ୍ୱାଦ ୪୩ ପ୍ରତିଶତଙ୍କୁ ମାନସିକସ୍ତରରେ ଭରାକ୍ରାନ୍ତ କରୁଥିବା ଅଭିଯୋଗ ମିଳିଥିଲା । ଅର୍ଦ୍ଧେକ ସଂକ୍ରମଣ ସମ୍ୱାଦର ସତ୍ୟତା ସଂପର୍କରେ ସମୟାନ୍ତେ ସନ୍ଦେହ ପ୍ରକାଶ କରୁଥିବା ସ୍ଥଳେ ୬୪ ପ୍ରତିଶତ ଅତିରଞ୍ଜିତ ସମ୍ୱାଦ ପରିବେଷଣର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।


 

ସାମଗ୍ରିକଭାବେ ‘କୋଭିଡ଼-୧୯’ ସଂପର୍କରେ ମାର୍କିନ ଗଣମାଧ୍ୟମରେ ଅନବରତ ସମ୍ୱାଦ ପ୍ରକାଶନ ପ୍ରତି ଦଶ ଜଣରେ ସାତ ଜଣଙ୍କ ବିତୃଷ୍ଣା ପ୍ରକାଶ କେବଳ ଯୁକ୍ତରାଷ୍ଟ୍ର ଆମେରିକା କାହିଁକି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଊଣାଅଧିକେ ପ୍ରଯୁଜ୍ୟ ବୋଲି କୁହାଯାଇପାରେ । ଅନ୍ୟତ୍ର ଗବେଷଣା ଅଭାବରୁ ପାଠକୀୟ ସ୍ୱୀକୃତି ଗଣିତ କରାଯାଇପାରୁନାହିଁ । ମହାମାରୀ ତଥା ମହାମାରୀ-ପର ଅବସ୍ଥାରେ ସମ୍ୱାଦପତ୍ର, ସମ୍ୱାଦ ମଞ୍ଚ କିମ୍ୱା ଟେଲିଭିଜନ ବୁଲେଟିନଗୁଡ଼ିକୁ ମହାମାରୀ ସମ୍ୱାଦକୁ ଅତ୍ୟାଧିକ ଗୁରୁତ୍ୱ ଦେବା ଅଭ୍ୟାସ ପୁନଃବିଚାର ଲାଗି ଏହିଭଳି ଗବେଷଣାର ନିର୍ଯ୍ୟାସ ଅବକାଶ ସୃଷ୍ଟି କରିଥାଏ । ଏତଦ୍ ବ୍ୟତୀତ ଦୁଇ-ତୃତୀୟାଂଶ ପାଠକ ପରିବେଷିତ ସମ୍ୱାଦଗୁଡ଼ିକୁ ଅତିରଞ୍ଜିତ ବିଶ୍ୱାସ କରୁଥିବା ଉଦାହରଣ ସମ୍ୱାଦ ଶିଳ୍ପର ଭବିଷ୍ୟତ ପ୍ରତି ସନ୍ଦେହ ସୃଷ୍ଟି କରେ । ଅସତ୍ୟ ସମ୍ୱାଦ ପ୍ରକାଶନ ଲାଗି ଆମେ ସୋସିଆଲ ମିଡ଼ିଆକୁ ଦାୟୀ କରୁଥିବା ସ୍ଥଳେ ଗଣମାଧ୍ୟମ ମଞ୍ଚଗୁଡିକରେ ମୂଳସ୍ରୋତର ତଦ୍ଅନୁରୂପ ଅବସ୍ଥା ଉଦବେଗର କାରଣ ।


 

ସେହିପରି ବ୍ରିଟେନର ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ସ୍ଥାପିତ ‘ରଏଟର ଇନଷ୍ଟିଟିଉଟ ଅଫ ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ପକ୍ଷରୁ ସେଠାକାର ସମ୍ୱାଦ ଉପଭୋକ୍ତାଙ୍କ ମଧ୍ୟରେ ମହାମାରୀ ସମ୍ୱାଦ ପରିବେଷଣର ଗ୍ରହଣୀୟତା ସଂପର୍କରେ ଏକ ବୃହତ ପ୍ରକଳ୍ପରେ ପ୍ରତି ଦୁଇ ସପ୍ତାହ ଅନ୍ତରରେ ଥରେ ମୋଟ ଦଶଗୋଟି ସର୍ବେକ୍ଷଣର ଯୋଜନା କରାଯାଇଥିଲା । ମେ’ମାସ ଦ୍ୱିତୀୟ ସପ୍ତାହ ୭ ରୁ ୧୩ ତାରିଖ ମଧ୍ୟରେ ଆୟୋଜିତ ଏକ ସର୍ବେକ୍ଷଣରେ ୫୯ ପ୍ରତିଶତ ଯାଏଁ ପାଠକ, ଶ୍ରୋତା ଓ ଦର୍ଶକ ଗଣମାଧ୍ୟମରେ ମହାମାରୀ ସଂପର୍କୀତ ସମ୍ୱାଦ ଏଡ଼ାଇ ଦେଉଥିବା ସ୍ୱୀକାର କରିଥିଲେ । ସେମାନଙ୍କ ମଧ୍ୟରେ ୨୨ ପ୍ରତିଶତ ଅଭ୍ୟାସଗତ ଭାବେ ସମ୍ୱାଦ ପ୍ରତି ସବୁବେଳେ ବିମୁଖ । ଅବଶ୍ୟ ମାସକ ପୂର୍ବେ ମଧ୍ୟ-ଏପ୍ରିଲରେ ଆୟୋଜିତ ସର୍ବେକ୍ଷଣରେ ଏମାନଙ୍କ ସଂଖ୍ୟା ଯଥାକ୍ରମେ ୪୯ ଓ ୧୫ ପ୍ରତିଶତ ହିସାବ କରାଯାଇଥିଲା । ତେବେ ଗବେଷଣାରୁ ଜଣାଯାଏ ଯେ ମହାମାରୀ ସମ୍ୱାଦପ୍ରତି ପ୍ରାଥମିକ ଅବସ୍ଥାରେ ଆଗ୍ରହ ପ୍ରକାଶ କରିଥିବା ସ୍ଥଳେ ପରବର୍ତ୍ତୀ ଅବସ୍ଥାରେ ହ୍ରାସ ପାଇଚାଲିଛି ।


 

ମହାମାରୀ ସମ୍ୱାଦ ବିମୁଖ ଉପଭୋକ୍ତାଙ୍କ ମଧ୍ୟରୁ ୩୩ ପ୍ରତିଶତ ପରିବେଷିତ ସମ୍ୱାଦର ଅତ୍ୟାଧିକ ପରିମାଣକୁ ନାପସନ୍ଦ କରୁଥିବା ସ୍ଥଳେ ୨୮ ପ୍ରତିଶତ କହିଥିଲେ ଯେ ସଂକ୍ରମଣଜନିତ ପରିସ୍ଥିତିକୁ ସୁଧାରିବାରେ ବ୍ୟକ୍ତିଗତସ୍ତରରେ ସେମାନଙ୍କ ଭୂମିକା ଗୌଣଥିବା ହେତୁ ତତ୍ ସଂପର୍କୀତ ଟିକିନିଖି ବିବରଣୀ ସଂପର୍କରେ ଅନାଗ୍ରହୀ । ସମ୍ୱାଦ ଏଡ଼ାଇ ଦେଉଥିବା ଉପଭୋକ୍ତାଙ୍କ ମଧ୍ୟରେ ୧୮ ପ୍ରତିଶତ ପୁରୁଷ ଓ ୨୬ ପ୍ରତିଶତ ମହିଳାଙ୍କୁ ଚ଼ିହ୍ନଟ କରାଯାଇଛି । ସମାଜର ସମସ୍ତ ବର୍ଗର ଆର୍ଥିକ, ଶିକ୍ଷା ତଥା ରାଜନୀତିକ ଦଳ ସମର୍ଥକଙ୍କ ମଧ୍ୟରେ ସମ୍ୱାଦ ବିମୁଖଙ୍କ ପରିମାଣ ପ୍ରାୟତଃ ସମାନ । ଅବଶ୍ୟ ବୟସବର୍ଗର ତାରତମ୍ୟରେ ୨୫ ବର୍ଷରୁ କମଙ୍କ ମଧ୍ୟରେ ୧୯ ପ୍ରତିଶତ, ୨୫ ରୁ ୪୪ ବର୍ଷ ବୟସ୍କ ମଧ୍ୟରେ ୨୮ ପ୍ରତିଶତ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କ ମଧ୍ୟରେ ୧୯ ପ୍ରତିଶତ ଅନ୍ତର୍ଭୁକ୍ତ ।


 

ମହାମାରୀ ସମ୍ୱାଦ ବିମୁଖ ଉପଭୋକ୍ତାଙ୍କ ମଧ୍ୟରୁ ୬୬ ପ୍ରତିଶତ ନକାରାତ୍ମକ ସମ୍ୱାଦ ସେମାନଙ୍କୁ ମାନସିକସ୍ତରରେ ବିବ୍ରତ କରୁଥିବା ଅଭିଯୋଗ ବାଢ଼ିଥିଲେ । ନମୂନାର ୩୨ ପ୍ରତିଶତ ଗଣମାଧ୍ୟମରେ ପରିବେଷିତ ସମ୍ୱାଦର ସତ୍ୟତା ପ୍ରତି ସନ୍ଦିହାନ । କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ କ୍ରମାଗତଭାବେ ସମ୍ୱାଦ ପ୍ରକାଶନକାଳରେ ପୁନାରାବୃତ୍ତି, ନୂତନ ତଥ୍ୟର ଅଭାବ ଏବଂ କଳ୍ପନାପ୍ରବଣ ‘ସ୍ପେକୁଲେଟିଉଭ’ ହୋଇପଡୁଥିବା ଦର୍ଶାଇଥିଲେ । ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଯେଉଁମାନେ ସମ୍ୱାଦ ପ୍ରତି ବିମୁଖତା ପ୍ରଦର୍ଶନ କରିଥାନ୍ତି ସେମାନଙ୍କ ମଧ୍ୟରୁ ୪୯ ପ୍ରତିଶତ ସୋସିଆଲ ମିଡ଼ିଆରେ ମଧ୍ୟ ସମ୍ୱାଦ ସଂପର୍କୀତ ସୂତ୍ର ‘ନିଉଜ ଲିଙ୍କ’ ଗୁଡ଼ିକୁ ଏଡ଼ାଇ ଦେଉଥିବା ଜଣାଯାଇଥିଲା ।


 

ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନର ସମ୍ୱାଦ ଉପଭୋକ୍ତାଙ୍କ ମହାମାରୀ ସମ୍ୱାଦ ଆହରଣର ପରିସଂଖ୍ୟାନ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ, ବିଶେଷକରି ଭାରତ କିମ୍ୱା ଓଡ଼ିଶାରେ ପ୍ରତିଫଳିତ ନହୋଇପାରେ । ତେବେ ସ୍ଥାନୀୟ ପରିବେଶରେ ଗବେଷଣା ଅଭାବ ହେତୁ ଆମ ସମ୍ପାଦକମାନେ ସମ୍ୱାଦ ସଂସ୍କରଣମାନ ପ୍ରଯୋଜନାକାଳରେ ବୈଦେଶିକ ସ୍ଥିତିକୁ ବିଚାରକୁ ନେବା ବୁଦ୍ଧିମାନ କାର୍ଯ୍ୟ ।


 

ଏକପକ୍ଷରେ ଯଦି ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନରେ ଯଥାକ୍ରମେ ୭୧ ପ୍ରତିଶତ ଓ ୫୯ ପ୍ରତିଶତ ଉପଭୋକ୍ତା ଅଧିକ ମହାମାରୀ ସମ୍ୱାଦ ପ୍ରତି ବିମୁଖ ଏବଂ ୪୩ ପ୍ରତିଶତ ଓ ୬୬ ପ୍ରତିଶତ ମାନସିକସ୍ତରରେ ଭରାକ୍ରାନ୍ତ ହୋଇପଡୁଛନ୍ତି ତେବେ ଆମେ ସ୍ଥାନୀୟ ସଂସ୍କରଣର ୨୦ ପ୍ରତିଶତରୁ ଅଧିକ ସ୍ଥାନ ସେଦିଗରେ ବିନିଯୋଗ କରିବା ଅନୁଚିତ । ଅପରପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାରେ ୫୦ ପ୍ରତିଶତ ଓ ବ୍ରିଟେନରେ ୩୨ ପ୍ରତିଶତ ପ୍ରକାଶିତ ମହାମାରୀ ସମ୍ୱାଦ ପ୍ରତି ଉପଭୋକ୍ତାମାନେ ସନ୍ଦେହ ପ୍ରକାଶ କରୁଥିବା ହେତୁ ସମ୍ୱାଦ ପରିବେଷଣକୁ କିପରି ବିଶ୍ୱାସଯୋଗ୍ୟ କରାଯାଇପାରିବ ସେ ଦିଗରେ ଆମକୁ ଯତ୍ନବାନ ହେବାକୁ ପଡ଼ିବ ।


 

ଭିଡ଼ିଓ ସମ୍ୱାଦ ଉପସ୍ଥାପନ କାଳରେ ସମ୍ୱାଦିକଙ୍କୁ ସାମିଲ କରାଯାଉଥିବା ସ୍ଥଳେ ମୁଦ୍ରିତ ସମ୍ୱାଦପତ୍ରରେ ପ୍ରତ୍ୟେକ ସମ୍ୱାଦ ଅଗ୍ରଭାଗରେ ସାମ୍ୱାଦିକଙ୍କ ନାମ ଓ ଶେଷଭାଗରେ ଯୋଗାଯୋଗ ଇ-ମେଲ ଆଇଡ଼ି କିମ୍ୱା ମୋବାଇଲ ଫୋନ ନମ୍ୱର ପ୍ରକାଶନ ସମ୍ୱାଦର ବିଶ୍ୱାସନୀୟତା ଦିଗରେ ସାମାନ୍ୟ ସହାୟକ ହେବା ଆଶା କରାଯାଇପାରେ । ଏତଦ୍ ବ୍ୟତୀତ ସମ୍ୱାଦ ସଂଗ୍ରହର ସୂତ୍ର ଓ ଅଭିଜ୍ଞତାର ବିଶଦ ବର୍ଣ୍ଣନା ମଧ୍ୟ ଫଳପ୍ରଦ ବିଶ୍ୱାସ କରାଯାଇପାରେ ।


 

ଯୁକ୍ତରାଷ୍ଟ୍ର ଆମେରିକାରେ ୬୧ ପ୍ରତିଶତ ମହାମାରୀ ସମ୍ୱାଦ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ସ୍ଥଳେ ସେଥିମଧ୍ୟରୁ ୨୩ ପ୍ରତିଶତ ଆଞ୍ଚଳିକ ସମ୍ୱାଦକୁ ପ୍ରାଧାନ୍ୟ ଦେଇଥାନ୍ତି । ଏହି କାରଣରୁ ଏଠାରେ ମଧ୍ୟ ପ୍ରତି ସଂସ୍କରଣରେ ସ୍ଥାନୀୟ ସମ୍ୱାଦ ଉପସ୍ଥାପନକୁ ଗୁରୁତ୍ୱ ଦିଆଯିବା ଉଚିତ । ଉଭୟ ଟେଲିଭିଜନ ଓ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକରେ ଏଥିଲାଗି ଭିନ୍ନ ଭିନ୍ନ ପଦ୍ଧତି ଅବଲମ୍ୱନ କରାଯାଇପାରେ ।     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ମେ ୨୦୨୦


ତଥ୍ୟ:



Mitchell, Amy, J. Baxter Oliphant and Elisa Shearer. About seven-in-ten US adults say they need to take break from Covid-19 news. May 2020. 



<www.pewresearchcentre.org/journalismandmedia>


 

Kalogeropoulos, Antonis, Richard Eletcher, Rasmns Klies Nielsen. Initial surge in news use around Coronavirus in the UK has been followed by significant increase in news avoidance. May 19, 2020 




<www.reutersinstitute for study of journalism.org>

ସାମାଜିକ ଦୂରାବସ୍ଥାନରେ ଗଣମାଧ୍ୟମ ଉପଯୋଗ

ସଂକ୍ରାମକ ରୋଗ ପ୍ରତିରୋଧ ନିମନ୍ତେ ସାମାଜିକ ଦୂରାବସ୍ଥାନ ‘ସୋସିଆଲ ଡ଼ିଷ୍ଟେନ୍ସିଂ’ ପାଳିତ ହୋଇଥାଏ । ବିଂଶ ଶତାଦ୍ଦୀ ପ୍ରାରମ୍ଭରେ ପାଶ୍ଚାତ୍ୟ ଭୂଖଣ୍ଡରେ ୧୯୧୪ରୁ ୧୮ ମଧ୍ୟରେ ପ୍ରଥମ ବିଶ୍ୱଯୁଦ୍ଧ ଏବଂ ୧୯୧୮ ରୁ ୧୯ ମଧ୍ୟରେ ସଂଗଠିତ ସ୍ପାନିସ-ଫ୍ଳୁ ମହାମାରୀ ଦୁଇ ମୁଖ୍ୟ ଘଟଣା । ସ୍ପାନିସ-ଫ୍ଳୁ ମହାମାରୀରେ ଚାରିରୁ ପାଞ୍ଚକୋଟି ଲୋକ ପ୍ରାଣ ହରାଇଥିବା ସ୍ଥଳେ ତାହାର ଅର୍ଦ୍ଧସଂଖ୍ୟକଙ୍କ ବିଶ୍ୱଯୁଦ୍ଧରେ ପ୍ରାଣହାନୀ ଘଟିଥିବା କୁହାଯାଏ । ଏହି ଦୁଃଖଦ ଅନୁଭୂତିକୁ କେନ୍ଦ୍ର କରି ବିଶ୍ୱବ୍ୟାପୀ ମହାମାରୀ ଅବସରରେ ସଂକ୍ରମଣ ରୋକିବା ନିମନ୍ତେ ଘଞ୍ଚ ଜନବସତିଗୁଡ଼ିକରେ ନାଗରିକଙ୍କ ଚଳପ୍ରଚଳ ରୋକି ଏକାନ୍ତ ବସବାସ କରିବା ପ୍ରଥା ପ୍ରଚଳନ ନିମନ୍ତେ ସାମାଜିକସ୍ତରରେ ଗୁରୁତ୍ୱ ଦିଆଯାଇଥାଏ । ଏକବିଂଶ ଶତାଦ୍ଦୀରେ ୨୦୦୨-୨୦୦୩ରେ ଏସଏଆରଏସ, ୨୦୦୯-୨୦୧୦ରେ ସ୍ପାଇନ-ଫ୍ଳୁ, ୨୦୧୪ରେ ଇବୋଲା ଓ ୨୦୧୫ରେ ଏମଇଆରଏସ ସଂକ୍ରମଣକାଳରେ ବିଭିନ୍ନ ରାଷ୍ଟ୍ରରେ ସାମାଜିକ ଦୂରାବସ୍ଥାନକୁ ଗୁରୁତ୍ୱ ଦିଆଯାଇ ସୁଫଳ ମିଳିଥିଲା ।


 

ସଭ୍ୟତାର ଆଦିକାଳରେ ବିଶ୍ୱର ଅନେକ ପ୍ରାନ୍ତରେ ସଂକ୍ରାମକ ରୋଗକୁ ଦେବାଦେବୀଙ୍କ ରୋଷର କାରଣ ରୂପେ ବିଶ୍ୱାସ କରାଯାଉଥିଲା । ତେଣୁ ରୋଗ ସଂକ୍ରମଣ ଅବସରରେ ପୂଜାର୍ଚ୍ଚନାରେ ଧ୍ୟାନ ସୀମାବଦ୍ଧ ରହୁଥିଲା । ବିଜ୍ଞାନର ପ୍ରଗତି ସଙ୍ଗେ ସଂକ୍ରାମକ ରୋଗ ସଂପର୍କରେ ସଚ଼େତନ ହେବାପରେ ଆକ୍ରାନ୍ତ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ପ୍ରଥା ଆରମ୍ଭ ହେଲା । ଚ଼ତୁର୍ଦ୍ଦଶ ଶତାଦ୍ଦୀରେ ଭେନିସ ଭଳି ୟୁରୋପୀୟ ବନ୍ଦରଗୁଡ଼ିକରେ ପ୍ଳେଗ ସଂକ୍ରମଣ ରୋକିବା ନିମନ୍ତେ ବାହାରୁ ଆସିଥିବା ନାବିକମାନଙ୍କୁ ବାଧ୍ୟତାମୂଳକ ୪୦ ଦିନ ପୃଥକବାସ‘ କ୍ୱାରେଣ୍ଟାଇନ’ରେ ରହିବା ନିମନ୍ତେ ବାଧ୍ୟ କରାଯାଉଥିଲା । ଇଟାଲୀ ଭାଷାରେ ‘କ୍ୱାରେଣ୍ଟାଜିରୋନି’ର ଅର୍ଥ ୪୦ ଦିନକୁ ବୁଝାଇଥାଏ ।


 

ଚୀନ ଓ ତା’ପରକୁ ଦକ୍ଷିଣ କୋରିଆରେ ‘କୋଭିଡ଼-୧୯’ ବ୍ୟାପ୍ତି ଅବସରରେ କଡ଼ାକଡ଼ିଭାବେ ସାମାଜିକ ଦୂରାବସ୍ଥାନ ପ୍ରଚଳନ ସଂକ୍ରମଣକୁ ରୋକିବାରେ ସମର୍ଥ ହୋଇଥିବା ଅଭିଜ୍ଞତା ବିଶ୍ୱବ୍ୟାପୀ ରୋଗ ପ୍ରତିରୋଧଲାଗି ଅନୁସୃତ ହେବାରେ ଲାଗିଛି । ଭାରତ ଓ ଓଡ଼ିଶାରେ କରୋନାଭୂତାଣୁ ସଂକ୍ରମଣ ମୁକାବିଲାରେ ସାମାଜିକ ଦୂରାବସ୍ଥାନକୁ ଗୁରୁତ୍ୱ ଦିଆଯାଇଛି । ଗବେଷକମାନେ ୧୯୧୮ ସ୍ପାନିସ-ଫ୍ଳୁ ସଂକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକାର ୧୬ ଗୋଟି ସହରରେ ସାମାଜିକ ଦୂରାବସ୍ଥାନର ପ୍ରଭାବ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ସେଥିରୁ ଜଣାଯାଇଥିଲା ଯେ ସଂକ୍ରମଣ କାଳରେ ତୁରନ୍ତ ସାମାଜିକ ଦୂରାବସ୍ଥାନ ପ୍ରଥା ଜାରୀ ଓ ଦୀର୍ଘକାଳ ବଳବତ୍ତର ରଖିବା ଲାଭଦାୟକ ।


 

ଏକ ଉଦାହରଣରେ ସେଠାକାର ସେଣ୍ଟ ଲୁଇ ସହରରେ ତୁରନ୍ତ ସାମାଜିକ ଦୂରାବସ୍ଥାନ ନୀତି କାର୍ଯ୍ୟକାରୀ କରାଯାଇଥିବା ସ୍ଥଳେ ଫିଲାଡ଼େଲଫିଆ ସହରରେ ମାତ୍ର ପାଞ୍ଚ ଦିନ ବିଳମ୍ୱରେ ଲାଗୁ କରାଯାଇଥିଲା । ଏତଦ୍ୱାରା ସେଣ୍ଟ ଲୁଇରେ ସ୍ପାନିଶ-ଫ୍ଳୁ ସଂକ୍ରମଣ ହାର ରୋକାଯାଇ ପାରିଥିବା ସ୍ଥଳେ ଫିଲାଡ଼େଲଫିଆରେ ତିନିରୁ ପାଞ୍ଚଗୁଣ ବଢି ଯାଇଥିଲା । ସେହିପରି ଅନ୍ୟ କେତେକ ସହରରେ ବିଳମ୍ୱରେ ସାମାଜିକ ଦୂରାବସ୍ଥାନ ନୀତିନିୟମ ଲାଗୁ କରାଯାଇ ଅଳ୍ପଦିନ ଅନ୍ତରରେ କୋହଳ କରିଦିଆଯିବା ହେତୁ ରୋଗ ସଂକ୍ରମଣ ପୁଣି ଲେଉଟିଥିବା ଜଣାଯାଇଥିଲା ।


 

ଭୌଗଳିକ ପରିବେଶ ଓ ଯୋଗାଯୋଗ ମାଧ୍ୟମ ସାମାଜିକ ଦୂରାବସ୍ଥାନରେ ଗୁରୁତ୍ୱ ବହନ କରିଥାଏ । ଗ୍ରାମାଞ୍ଚଳରେ ଏକାନ୍ତତା ସ୍ୱାଭାବିକ ପରିଗଣିତ ହେଉଥିବା ସ୍ଥଳେ ସହରାଞ୍ଚଳରେ ପ୍ରାୟୋଜିତ । ସେହିପରି ଦୂରାବସ୍ଥାନ ଜଣକଠାରୁ ଅନ୍ୟ ଜଣକୁ ଦୂରେଇ ନେଉଥିବା ସ୍ଥଳେ ଆଧୁନିକ ଯୋଗାଯୋଗ ମାଧ୍ୟମ ଉପଯୋଗରେ ଦୂରେଇ ରହୁଥିବା ବ୍ୟକ୍ତି ସମସ୍ତଙ୍କ ସହ ସଂପର୍କ ଅବ୍ୟାହତ ରଖିପାରୁଛି । ସର୍ବୋପରି ଗଣମାଧ୍ୟମରେ ସଂପୃକ୍ତି ଭୌଗଳିକ ସୀମାପାର ସାମାଜିକ ପରିବେଶ ସୃଷ୍ଟିରେ ସହାୟକ ହୋଇପାରୁଛି । ଅର୍ଥାତ ମନୁଷ୍ୟ ଏକାକୀ ଗୃହାବଦ୍ଧ ଜୀବନ ବସବାସ କରୁଥିଲେ ସୁଦ୍ଧା ଗଣମାଧ୍ୟମ ବ୍ୟବହାରରେ ଏକ ବୃହତ ଜନସମାଜ ସହ ମାନସିକସ୍ତରରେ ସାମିଲ ହେବା ସମ୍ଭବପର ।


 

ଭାରତରେ ୨୦୨୦ ସୁଦ୍ଧା ଅଗ୍ରଣୀ ଗଣମାଧ୍ୟମ ଉପଭୋକ୍ତା ‘ଏକ୍ଟିଭ ୟୁଜର୍ସ’ମାନେ ହାରାହାରି ଦୈନିକ ୪ ଘଣ୍ଟା ୨୦ ମିନଟ ଟେଲିଭିଜନ ଓ ୩ ଘଣ୍ଟା ୪୦ ମିନଟ ଯାଏଁ ମୋବାଇଲ ଫୋନ ବ୍ୟବହାର କରିଥାନ୍ତି । ଏତଦ ବ୍ୟତୀତ ସମ୍ୱାଦପତ୍ର, ପତ୍ରପତ୍ରିକା, ପୁସ୍ତକ ପଠନ ତଥା ରେଡିଓ ଓ ସିନେମା ଭଳି ଗଣମାଧ୍ୟମରେ ସଂପୃକ୍ତ ରହିଥାନ୍ତି । ‘କୋଭିଡ଼-୧୯’ ସଂକ୍ରମଣର ପ୍ରତିଷେଧକ ଜୀବନଚ଼ର୍ଯ୍ୟାରେ ସାମାଜିକ ଦୂରାବସ୍ଥାନ କାଳରେ ଦୈନନ୍ଦିନ କାର୍ଯ୍ୟସୂଚୀରୁ ଦୂରେଇଯିବା ହେତୁ ସମଗ୍ର ଗଣମାଧ୍ୟମରେ ବ୍ୟକ୍ତିପିଛା ଦୈନିକ ସଂପୃକ୍ତି ଆଠ ଦଶ ଘଣ୍ଟାରୁ ବାର ଚଉଦ ଘଣ୍ଟା ଯାଏଁ ବୃଦ୍ଧି ପାଇବା ହିସାବ କରାଯିବା ଅସମଚୀନ ନୁହେଁ । ପ୍ରଶ୍ନ ଉଠେ ଏଭଳି ଅଭ୍ୟାସ ଦୀର୍ଘକାଳ ବଳବତ୍ତର ରହିଲେ ତାହା ମାନସିକସ୍ତରରେ କିଭଳି ପ୍ରଭାବ ପକାଇବ ।


 

ବିଶେଷଜ୍ଞମାନଙ୍କ ମତରେ ସାମାଜିକ ଦୂରାବସ୍ଥାନଜନିତ ଏକାକୀତ୍ୱ ଲାଘବ ନିମନ୍ତେ ଆଧୁନିକ ଫୋନ, ଇଣ୍ଟରନେଟ ତଥା ଗଣମାଧ୍ୟମ ମଞ୍ଚଗୁଡ଼ିକ ଅନ୍ୟମାନଙ୍କ ସହ ସଂପର୍କ ସ୍ଥାପନ ଏବଂ ଚଳନ୍ତି ସାମାଜିକ ଘଟଣାବଳୀ ଅବଗତ ହେବାରେ ସହାୟକ ହୋଇଥାଏ । କିନ୍ତୁ ଏଭଳି ସୁବିଧା ସୁଯୋଗର ଅନୁପଯୁକ୍ତ ବ୍ୟବହାରରେ ସମସ୍ୟା ମଧ୍ୟ ଉପୁଜିଥାଏ । ଉଦାହରଣରେ ‘କୋଭିଡ଼-୧୯’ ସଂପର୍କରେ ଉଭୟ ପାରମ୍ପରିକ ଓ ସାମାଜିକ ଗଣମାଧ୍ୟମରେ ଅସଂଖ୍ୟ ସୂତ୍ରରୁ ସମ୍ୱାଦ ପ୍ରସାରଣ ତଥା ଅଭିମତ ଉପସ୍ଥାପିତ ହୋଇଚାଲିଥାଏ । ସାଧାରଣରେ ସଂକ୍ରମଣର ସବିଶେଷ ବିବରଣୀ ଜାଣିବାଲାଗି ଉତ୍ସୁକତା ପ୍ରକାଶ ପାଇଥାଏ । ତେବେ ଅନବରତ ଦୀର୍ଘ ସମୟଧରି ଏତାଦୃଶ୍ୟ ସଂବାଦ ଓ ଆଲୋଚ଼ନା ଆହରଣ କଲେ ମାନସିକସ୍ତର ରେଭାରସାମ୍ୟ ହରାଇବା ଆଶଙ୍କା କରାଯାଇପାରେ ।


 

ସାମାଜିକ ଦୂରାବସ୍ଥାନ କାଳରେ ସୀମିତ ସମୟ ନିମନ୍ତେ ପାରମ୍ପରିକ ଗଣମାଧ୍ୟମ ମଞ୍ଚରୁ ସମ୍ୱାଦ ଆହରଣ ତଥା ସୋସିଆଲ ମିଡ଼ିଆରେ ଅଂଶଗ୍ରହଣ ନିମନ୍ତେ ସମୟ ଧାର୍ଯ୍ୟ କରିବା ବାଞ୍ଛନୀୟ । କୌଣସି ନିର୍ଦ୍ଧିଷ୍ଟ ବିଷୟବସ୍ତୁ ସଂପର୍କରେ ବିଭିନ୍ନ ସୂତ୍ରରୁ ଦୀର୍ଘକାଳଧରି ତଥ୍ୟାବଳୀ ସଂସ୍ପର୍ଶରେ ଆସିଲେ ଧୈର୍ଯ୍ୟଚ୍ୟୁତିର ସମ୍ଭାବନା ରହିଥାଏ । ଏହା ବ୍ୟକ୍ତିଗତସ୍ତରରେ ଏକାଗ୍ରତାହାନୀ ଏବଂ ମାନସିକଚାପ ବୃଦ୍ଧିର କାରଣ ପାଲଟିଥାଏ । ଗଣମାଧ୍ୟମମଞ୍ଚଗୁଡ଼ିକରୁ ନିର୍ବାଚ଼ିତ ନିର୍ଭରଶୀଳ ସୂତ୍ରରୁ ସଂବାଦ ଆହରଣ ଉପାଦେୟ । ଅପରପକ୍ଷେ ଗୁଜବଠାରୁ ନିଜକୁ ଦୂରେଇ ରଖିବା ସମସ୍ତଙ୍କ କର୍ତ୍ତବ୍ୟ । କାରଣ ସ୍ଥଳ ବିଶେଷରେ ଗୁଜବ ସ୍ଥୁଳ ବିଚାରରେ ଯୁକ୍ତିଯୁକ୍ତ ବୋଧ ହୁଏ ଏବଂ ବାରମ୍ୱାର ଗୁଜବର ସଂସ୍ପର୍ଶରେ ଆସିବା ଫଳରେ ତାହା ବିଶ୍ୱାସଯୋଗ୍ୟ ମନେ ହୋଇଥାଏ ।


 

ସାମାଜିକ ଦୂରାବସ୍ଥାନ କାଳରେ ସାଧାରଣତଃ ଚାରିଗୋଟି ସମସ୍ୟାପ୍ରତି ସଜାଗ ରହିବା ବିଧେୟ । ପ୍ରଥମତଃ, ଦୈନନ୍ଦିନ ଜୀବନଯାତ୍ରାରୁ ଦୂରେଇଯିବା ଫଳରେ ଉଦବିଗ୍ନତା ‘ଏଙ୍ଗଜାଇଟି’ ବୃଦ୍ଧି ପାଇଥାଏ । କେତେକଙ୍କଠାରେ ନିଦ୍ରାହୀନତା ଓ ଏକାଗ୍ରତା ଅଭାବ ଅନୁଭବ କରାଯାଏ । ଦ୍ୱିତୀୟତଃ, ବିରକ୍ତିଭାବ ଓ ଅବସାଦ ଏବଂ ତୃତୀୟତଃ କ୍ରୋଧ, ହତାଶଭାବ ଓ ଚ଼ିଡ଼ିଚ଼ିଡ଼ାପଣ ମାନସିକସ୍ତରରେ ଭରାକ୍ରାନ୍ତ କରିପକାଏ । ଚ଼ତୁର୍ଥତଃ ରୋଗ ସଂକ୍ରମିତ ଓ ତାଙ୍କରି ପରିବାରବର୍ଗ ସ୍ଥଳବିଶେଷରେ ସାମାଜିକ ଅପବାଦ ଓ ବାସନ୍ଦ ଭୟର ଶୀକାର ହୋଇପଡ଼ନ୍ତି । ଏଭଳି ସମସ୍ୟାଗୁଡିକ ପ୍ରତି ସଚ଼େତନ ରହି ଯୋଜନାବଦ୍ଧ ଭାବେ ସମସ୍ୟାର ମୁକାବିଲା ବିଜ୍ଞତାର ପରିଚୟ ଦେଇଥାଏ ।


 

ଗୃହାବଦ୍ଧ ଜୀବନ ଯାପନ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ନିଜେ ଦୈନନ୍ଦିନ କାର୍ଯ୍ୟ ନିର୍ଘଣ୍ଟ ‘ଟାଇମ ଟେବୁଲ’ ପ୍ରସ୍ତୁତ କରିବା ଆବଶ୍ୟକ । ଜୀବନଚର୍ଯ୍ୟାଲାଗି ସୀମିତ ଭୌଗଳିକ ପରିସର ଓ ସୁବିଧାସୁଯୋଗ ଉପଯୋଗକୁ ଦୃଷ୍ଟିରେ ରଖି ବ୍ୟାୟାମ ଓ ଅବସର ବିନୋଦନ ପ୍ରାବଧାନ ରଖିବାକୁ ପଡିଥାଏ । ଉପଯୁକ୍ତ ପରିମାଣରେ ଖାଦ୍ୟ ଗ୍ରହଣ,ନିଦ୍ରାଯିବା ଇତ୍ୟାଦି ସ୍ୱାସ୍ଥ୍ୟରକ୍ଷାରେ ସହାୟକ ହୁଏ । ମାନସିକସ୍ତରରେ ଦୃଢ଼ ରହିବାଲାଗି ସକାରତ୍ମକ ଚ଼ିନ୍ତାଧାରା ତଥା ପଢ଼ିବା, ଲେଖିବା, ନୂଆ କିଛି ଶିଖିବା କିମ୍ୱା ଅନ୍ୟାନ୍ୟ ସର୍ଜନଶୀଳ କାର୍ଯ୍ୟରେ ମନୋନିବେଶ କଲେ ସୁଫଳ ମିଳିଥାଏ ।


 

‘କୋଭିଡ଼-୧୯’ପୀଡ଼ିତ ଚ଼ିକିତ୍ସାଳୟରେ ଡ଼ାକ୍ତରଙ୍କ ତତ୍ତ୍ୱାବଧାନରେ ଚ଼ିକିତ୍ସିତ ହେଉଥିବା ସ୍ଥଳେ ସନ୍ଦିଗ୍ଧମାନେ ପୃଥକବାସ‘ ହୋମ ଆଇସୋଲେସନ’ରେ କିଛି ସମୟ ବିତାଇଥାନ୍ତି । ପୃଥକବାସ କାଳରେ ସୁସ୍ଥ ବ୍ୟକ୍ତିଙ୍କ ଭଳି ଆଚ଼ରଣ ସାଙ୍ଗକୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନନେବା, ଅନ୍ୟମାନଙ୍କ ସହ ଫୋନ ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟ ଯୋଗେ ସଂଯୁକ୍ତ ରହିବା ତଥା ଆବଶ୍ୟକତାରୁ ଅଧିକା ଭୂତାଣୁ ସଂକ୍ରମଣଜନିତ ସମ୍ୱାଦ ଆହରଣରୁ କ୍ଷାନ୍ତ ରହିବା ନିମନ୍ତେ ପରାମର୍ଶ ଦିଆଯାଇଥାଏ ।


 

ଗଣମାଧ୍ୟମ ଉପଯୋଗରେ ‘କୋଭିଡ଼-୧୯’ ସଂକ୍ରମଣ ରୋକିବା ନିମନ୍ତେ ସାମାଜିକ ଦୂରାବସ୍ଥାନକୁ ସ୍ୱଚ୍ଛନ୍ଦପୂର୍ଣ୍ଣ କରିବା ପ୍ରଭାବିତଙ୍କ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରିବା ଅପରିହାର୍ଯ୍ୟ । ରୋଗ ଭୟରେ ମଧ୍ୟଯୁଗୀୟ ସାମାଜିକ ବାସନ୍ଦରୁ ଆମେ ବହୁ ଦୂରକୁ ଆସି ପାରିଛେ ସତ । ତେବେ ରୋଗ ଭୟ କିମ୍ୱା ସଂକ୍ରମଣ ପ୍ରତିରୋଧ ଲାଗି ବ୍ୟବସ୍ଥାର ଆବଶ୍ୟକତା ଲୋପ ପାଇପାରି ନାହିଁ । ଆଧୁନିକ ଯୋଗାଯୋଗ ମାଧ୍ୟମର ସୁବିଧା ସୁଯୋଗ ଉଚ଼ିତ ବ୍ୟବହାର ଏହି କ୍ଷେତ୍ରରେ ଗୁରୁତ୍ୱ ବହନ କରେ ।      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୯ ମାର୍ଚ୍ଚ ୨୦୨୦


ତଥ୍ୟ:



American Psychological Association



Communication key to cope with challenges of isolation. The Hindu. (Cuttack Edition) March 16, 2020


 

Stay well, psychologically. The Times of India. (Bhubaneswar Edition) March 16, 202


ମହାମାରୀ ବର୍ଣ୍ଣନାତ୍ମକ ସମ୍ୱାଦ ରଚନା

‘କୋଭଡ଼-୧୯’ ବିଶ୍ୱ ମହାମାରୀ ଅବସରରେ ପାଠକ ତଥା ଦର୍ଶକଙ୍କ ଲାଗି ସମ୍ୱାଦ ରଚନା ସ୍ୱତନ୍ତ୍ର ଅନୁଶାସନ ଆବଶ୍ୟକ କରେ । ବିଭିନ୍ନ ଗଣମାଧ୍ୟମ ନିମନ୍ତେ ଉପାଦାନ ‘କଣ୍ଟେଣ୍ଟ’ ପ୍ରସ୍ତୁତି କାଳରେ ସଂପୃକ୍ତ ମଞ୍ଚଗୁଡ଼ିକର ଉପଭୋକ୍ତାଙ୍କ ସମ୍ୱାଦ ଆହରଣ ଅଭ୍ୟାସ ‘ନିଉଜ କନଜମ୍ପସନହାବିଟ’ ଏବଂ ସେମାନଙ୍କ ଜିଜ୍ଞାସା ବା କ’ଣ ସବୁ ଜାଣିବାକୁ ଚାହୁଁଛନ୍ତି ଅନୁଧ୍ୟାନ କରିବା ଅପରିହାର୍ଯ୍ୟ ।


 

ଏହି କ୍ଷେତ୍ରରେ ସମ୍ପାଦକ ଓ ସମ୍ୱାଦିକଗଣ ବହୁଳ ପ୍ରସାରିତ ତଥା ଲୋକପ୍ରିୟ ମୂଳସ୍ରୋତ ‘ମେନଷ୍ଟ୍ରୀମ’ ମଞ୍ଚଗୁଡ଼ିକରେ ଅନୁସୃତ ପଦ୍ଧତି ‘ମଡ଼େଲ’ ଅନୁସରଣ ‘ରେପ୍ଳିକେଟ’ କରିଥାନ୍ତି । ତେବେ ସମସ୍ତ କ୍ଷେତ୍ରରେ ଏହା ସଫଳତା ହାସଲ କରିପାରେ ନାହିଁ । ଆଞ୍ଚଳିକଭିତ୍ତିରେ ପାଠକ ଓ ଦର୍ଶକମାନଙ୍କ ଅଭ୍ୟାସ ତଥା ଆବଶ୍ୟକତା ଭିନ୍ନ ରହିଥାଏ । ଏହି କାରଣରୁ ସ୍ଥାନୀୟ ପରିବେଶ ଅନୁଧ୍ୟାନ କରି ପ୍ରତ୍ୟେକ ମଞ୍ଚର ପ୍ରତ୍ୟେକ ସଂସ୍କରଣ ସମ୍ୱାଦ ପରିବେଷଣଲାଗିସ୍ୱକୀୟ ନୀତି ନିର୍ଦ୍ଧାରଣ ଗୁରୁତ୍ୱପୂର୍ଣ୍ଣ ।


 

ସ୍ଥୁଳ ବିଚାରରେ ସମ୍ୱାଦପତ୍ର, ଟେଲିଭିଜନ ଓ ଇଣ୍ଟରନେଟରେ ସମ୍ୱାଦ ଆହରଣକାଳରେ ପାଠକ ଓ ଦର୍ଶକମାନଙ୍କ ଅଭ୍ୟାସରେ ଚ଼ାରିଗୋଟି ମୁଖ୍ୟ ଧାରା ଚ଼ିହ୍ନଟ କରାଯାଏ । ପ୍ରଥମତଃ, ପରିବର୍ତ୍ତିତ ପରିବେଶରେ ୨୦୨୦ ବେଳକୁ ଉପଭୋକ୍ତାମାନେ ଅଧିକାଂଶ ସମ୍ୱାଦ ସୋସିଆଲ ମିଡ଼ିଆରେ ଅବଗତ ତଥା ସ୍ଥଳବିଶେଷରେ ସୋସିଆଲ ମିଡ଼ିଆ ପୋଷ୍ଟିଂରୁ ପ୍ରବର୍ତ୍ତିତ ‘ଡ଼ାଇରେକ୍ଟେଡ଼’ ହେଉଥିବା ଆଶା କରାଯାଇପାରେ । ଦ୍ୱିତୀୟତଃ, ସେମାନଙ୍କ ମଧ୍ୟରୁ ଏକାଂଶ କେବଳ ସମ୍ୱାଦର ଶିରୋନାମା ‘ହେଡ଼ଲାଇନ’ପଢ଼ିବା ବା ଦେଖିବାରେ ସୀମିତ ରହନ୍ତି । ତୃତୀୟତଃ, କମ ସଂଖ୍ୟକ ସଂପୂର୍ଣ୍ଣ ସମ୍ୱାଦ ପାଠ କରିବା କିମ୍ୱା ଦେଖିବା ତଥା ଅଧିକ ଜାଣିବାଲାଗି ଆଗ୍ରହ ପ୍ରକାଶ କରିଥାନ୍ତି । ଚ଼ତୁର୍ଥତଃ, ପାଠକ ଓ ଦର୍ଶକବର୍ଗଙ୍କ ମଧ୍ୟରୁ ଏକ ବଡ଼ ଭାଗ ସମ୍ୱାଦ ଆହରଣ କାଳରେ ଅନ୍ୟାନ୍ୟ କାର୍ଯ୍ୟରେ ସଂପୃକ୍ତ ରହିଥାନ୍ତି । ଅର୍ଥାତ ଏକାଗ୍ରଚିତ୍ତରେ ସମ୍ୱାଦ ଆହରଣ କରିନଥାନ୍ତି । କେତେକ ଗବେଷଣାରେ ଚ଼ତୁର୍ଥ ପର୍ଯ୍ୟାୟ ଉପଭୋକ୍ତାଙ୍କ ସଂଖ୍ୟା ସମଗ୍ର ଗଣମାଧ୍ୟମ ଉପଭୋକ୍ତାଙ୍କ ମଧ୍ୟରେ ୩୭ ପ୍ରତିଶତ ଗଣନା କରାଯାଇଥାଏ ।


 

ଉପରୋକ୍ତ ପ୍ରଥମ ତିନି ବର୍ଗର ପାଠକ ଓ ଦର୍ଶକଙ୍କ ରୁଚି ଓ ଆବଶ୍ୟକତା ଚରିତାର୍ଥଲାଗି ମୌଳିକ ସମ୍ୱାଦ ରଚନାରେ ଶୈଳୀ ନିର୍ଦ୍ଧାରଣ ଗୁରୁତ୍ୱ ବହନ କରୁଥିବା ସ୍ଥଳେ ମହାମାରୀ ଅବସରରେ ସମ୍ୱାଦ ପ୍ରସାରଣରେ ପୂର୍ଣ୍ଣ ଆଗ୍ରହ ପ୍ରକାଶ କରୁନଥିବା ପ୍ରାୟ ଏକ ତୃତୀୟାଂଶ ଗଣମାଧ୍ୟମ ଉପଭୋକ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ମଧ୍ୟ ଉଦ୍ୟମ ଆବଶ୍ୟକ ପଡ଼ିଥାଏ ।


 

କେବଳ ତୃତୀୟ ପର୍ଯ୍ୟାୟର ଉପଭୋକ୍ତାମାନେ କୌଣସି ମୁଖ୍ୟ ଘଟଣାର ପୂର୍ବାପର ସଙ୍ଗତି ସଂପର୍କରେ ଅବଗତ ଥିବା ତଥା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ଉପଭୋକ୍ତା ପୂର୍ଣ୍ଣ ବିବରଣୀ ସଂସ୍ପର୍ଶରେ ଆସିନଥିବା ଏବଂ ଚ଼ତୁର୍ଥ ପର୍ଯ୍ୟାୟର ଉପଭୋକ୍ତା ସୂଚନାରୁ ଦୂରେଇ ରହୁଥିବା ହେତୁ ପ୍ରତ୍ୟେକ ମହାମାରୀ ସମ୍ୱାଦ ରଚନା ପ୍ରାଞ୍ଜଳ ହେବା ଆବଶ୍ୟକ । ସ୍ଥଳବିଶେଷରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ଉପଭୋକ୍ତାଗଣ ପୂର୍ଣ୍ଣ ବିବରଣୀ ଅଭାବରେ ଅସ୍ପଷ୍ଟ ‘କନଫିଉଜଡ଼’ ଥିବା କିମ୍ୱା ଭୂଲ ତଥ୍ୟ ସମ୍ୱଳିତ ଗୁଜବ ଦ୍ୱାରା ପ୍ରଭାବିତ ହୋଇଥିବା ଆଶା କରାଯାଇପାରେ । ଏହି ପରିପ୍ରେକ୍ଷୀରେ ମୂଳ ସମ୍ୱାଦଟି ସହ ପୂର୍ବାପର ସଙ୍ଗତି ଉପସ୍ଥାପନ ଉପଯୁକ୍ତ ସୂଚନା ବିନିମୟରେ ସହାୟକ ହୋଇଥାଏ ।


 

ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚ଼ନା ପ୍ରତ୍ୟେକ ସଂସ୍କରଣରେ ପୁନଃ ଉପସ୍ଥାପନ ମହାମାରୀ ସମ୍ୱାଦର ମାତ୍ରାଧିକ ବର୍ଣ୍ଣନା ‘ଓଭର ଏକ୍ସପ୍ଳେନିଂ’ ଓ ପୁନରୁକ୍ତ ବା ନକଲ ‘ରିପିଟେସନ’ଏହି କ୍ଷେତ୍ରରେ ଗ୍ରହଣୀୟ । କାରଣ ଏହି ପଦ୍ଧତିର ପ୍ରୟୋଗ ଅଧିକ ସଂଖ୍ୟକ ଉପଭୋକ୍ତା ଅଧିକ ତଥ୍ୟ ହାସଲ କରିବା ନିମନ୍ତେ ପରିବେଶ ସୃଷ୍ଟି କରିଥାଏ ।


 

ମୂଳ ସମ୍ୱାଦ ପରିବେଷଣ କାଳରେ ସମ୍ୱାଦପତ୍ର ଓ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ପାର୍ଶ୍ୱ ସମ୍ୱାଦ ‘ସାଇଡବାର’ ପ୍ରସ୍ତୁତି ପୂର୍ବାପର ସଙ୍ଗତି ବର୍ଣ୍ଣନାରେ ସହାୟକ ହୋଇପାରେ । ସମ୍ୱାଦ ରଚନା କାଳରେ ସହଯୋଗୀ ଶିରୋନାମା ‘ସବ-ହେଡ଼ିଂ’ ବ୍ୟବହାର ମଧ୍ୟ ପରିବେଷଣ ଶୈଳୀକୁ ସରଳ କରିଥାଏ । ଟେଲିଭିଜନ ମଞ୍ଚରେ ସଂପୃକ୍ତ ବିବରଣୀ ଶେଷରେ ଏଥିଲାଗି ସ୍ଥାନ ନିରୂପଣ କରାଯାଇପାରେ । ଇଣ୍ଟରନେଟରେ ପୁନଃବର୍ଣ୍ଣନା ବଦଳରେ ‘ହାଇପରଲିଙ୍କ’ ଉପଯୋଗରେ ପାଠକଙ୍କୁ ବିଶଦ ବିବରଣୀ ଉପସ୍ଥାପନରେ ସହାୟକ ହୋଇପାରେ । କିନ୍ତୁ ଗବେଷଣାଲବ୍ଧତଥ୍ୟ ଅନୁଯାୟୀ ପାଠକମାନେ ଅଧିକାଂଶ ସମୟରେ ଲିଙ୍କ ବ୍ୟବହାର କରୁନଥିବା ଭୟ ରହିଥାଏ । ଏହି କାରଣରୁ ପୂର୍ବାପର ସଙ୍ଗତି ବିସ୍ତୃତ ନହେଲେ ମଧ୍ୟ ସଂକ୍ଷିପ୍ତ ଉପସ୍ଥାପନା ଆବଶ୍ୟକ ପଡ଼ିଥାଏ ।


 

‘କୋଭିଡ଼-୧୯’ ମହାମାରୀ ସଂକ୍ରମଣର ପ୍ରାବଲ୍ୟ ଦୀର୍ଘ ସମୟ ଅନ୍ତତଃପକ୍ଷେ ଚାରି ସପ୍ତାହ ଏବଂ ସୀମିତ ମାତ୍ରାରେ ତତପୂର୍ବ ଓ ତତପର ଅଢ଼େଇ ମାସ ଯୋଗ କଲେ ପ୍ରାୟ ଛଅ ମାସ ଧରି ବଳବତ୍ତର ରହୁଥିବା ଆକଳନ କରାଯାଉଥିବା ହେତୁ ପ୍ରତ୍ୟେକ ଗଣମାଧ୍ୟମ ମଞ୍ଚର ପ୍ରତ୍ୟେକ ସଂସ୍କରଣରେ ନୂତନ ପାଠକ ଓ ଦର୍ଶକ ଆସି ପହଞ୍ଚୁଥିବା ଆଶା କରାଯିବା ଯୁକ୍ତିଯୁକ୍ତ । ଅଧିକାଂଶ କ୍ଷେତ୍ରରେ ସେମାନେ ମହାମାରୀ ସଂପର୍କୀତ ମୌଳିକ ତଥ୍ୟାବଳୀ ସଂପର୍କରେ ଅବଗତ ନଥିବା ବିଶ୍ୱାସ କରାଯାଇପାରେ । ଏହି କାରଣରୁ ପ୍ରତ୍ୟେକ ମଞ୍ଚର ପ୍ରତ୍ୟେକ ସଂସ୍କରଣରେ ଭୂତାଣୁର ଆବିର୍ଭାବ ଓ ପ୍ରସାର, ସଂକ୍ରମଣର ଲକ୍ଷଣ, ପ୍ରତିଷେଧକ ବ୍ୟବସ୍ଥା, ଆଞ୍ଚଳିକସ୍ତରରେ ସଂକ୍ରମଣ ପରିସଂଖ୍ୟାନ, ସଂକ୍ରମଣ ରୋକିବା ନିମନ୍ତେ ପ୍ରଶାସନିକ ପଦକ୍ଷେପ, ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ ନିମନ୍ତେ ନୀତିନିୟମ ଏବଂ ପରିସ୍ଥିତିକୁ ସମ୍ଭାଳିବା ନିମନ୍ତେ ବିଚାର ବିମର୍ଷ ସଂପର୍କରେ ସୂଚନା ସ୍ଥାନିତ ହେବା ଆବଶ୍ୟକ ।


 

ମହାମାରୀ ବର୍ଣ୍ଣନାତ୍ମକ ସମ୍ୱାଦ ରଚନାରେ ଶିରୋନାମା ସର୍ବାପେକ୍ଷା ଗୁରୁତ୍ୱବହନ କରିଥାଏ । ଏକ ପକ୍ଷରେ ଅଧିକାଂଶ ପାଠକ ଓ ଦର୍ଶକ ପୂର୍ଣ୍ଣ ସମ୍ୱାଦ ଆହରଣ କରିନଥାନ୍ତି । ଅପରପକ୍ଷରେ ମହାମାରୀ କାଳରେ ସଂକ୍ରମଣ ରୋକିବା ତଥା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଂକ୍ରମଣରୁ ବଞ୍ଚାଇ ସାମାଜିକ ସହାବସ୍ଥାନ ସୃଷ୍ଟି ଜରୁରୀ । ଏହି ପରିବେଶରେ ବୃହତ ପାଠକ ଓ ଦର୍ଶକ ବର୍ଗଙ୍କୁ ଅନ୍ତତଃପକ୍ଷେ ଶିରୋନାମା ଜରିଆରେ ସମ୍ୱାଦ ଅବଗତ କରାଇବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ଆବଶ୍ୟକ ।


 

ସାଧାରଣରେ ଶିରୋନାମା ଜରିଆରେ ଉପଭୋକ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ସଂଲଗ୍ନ ସମ୍ୱାଦ ଆହରଣ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ ହୋଇଥାଏ । ତେବେ ମହାମାରୀ କାଳରେ ଶିରୋନାମାରେ ହିଁ ସୂଚନା ଓ ତଥ୍ୟ ପ୍ରସାରଣକୁ ଗୁରୁତ୍ୱ ଦିଆଯାଏ । କେବଳ ଶିରୋନାମା ମାଧ୍ୟମରେ କେତେ ଅଧିକ ବାର୍ତ୍ତା ପାଠକ ଓ ଦର୍ଶକଙ୍କୁ ଜଣାଇ ହେବ ସେ ଦିଗରେ ସାମ୍ୱାଦିକ ଓ ସମ୍ପାଦକମାନେ ତତ୍ପରତା ପ୍ରକାଶ କରିବା ଉଚିତ । ଏହି ଅବସରରେ ମୂଳ ଶୀର୍ଷ ଶିରୋନାମା ଦୁଇ ବା ତିନି ଥାକିଆ ‘ଟୁ-ଅର-ତ୍ରି-ଟାଏର’ ଏବଂ ଅଧିକ ସଂଖ୍ୟକ ସହଯୋଗୀ ଶିରୋନାମା ବ୍ୟବହାର କରାଯାଇପାରେ ।


 

‘କୋଭିଡ଼-୧୯’ ମହାମାରୀ ବ୍ୟାପ୍ତି ଅବସରରେ କେତେଗୋଟି ଇଂଲିଶ ଶବ୍ଦ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ଆଞ୍ଚଳିକ ଭାଷାଗୁଡ଼ିକରେ ମୁଖ୍ୟତଃ ସମ୍ୱାଦ ପରିବେଷଣରେ ବ୍ୟବହାରର ଅବକାଶ ସୃଷ୍ଟି ହୋଇଥିଲା । ସ୍ଥଳବିଶେଷରେ ସ୍ଥାନୀୟ ଭାଷାର ପ୍ରତିଶବ୍ଦ ବ୍ୟବହାରକୁ ଅଗ୍ରାଧିକାର ଦିଆଯାଉଥିଲା । ଉଦାହରଣରେ ବହୁଳ ବ୍ୟବହୃତ କେତେଗୋଟି ଶବ୍ଦ ବିଚାର କରାଯାଇପାରେ ।


 

‘କୋଭିଡ଼-୧୯’କରୋନାଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ‘କ୍ୱାରେଣ୍ଟାଇନ’ରେ ରଖିବା ବ୍ୟବସ୍ଥା କରାଯାଇଥିଲା । ସ୍ଥୁଳ ଅର୍ଥରେ ‘କ୍ୱାରେଣ୍ଟାଇନ’ ପଦ୍ଧତି ବ୍ୟକ୍ତିବିଶେଷଙ୍କୁ ନିର୍ଦ୍ଧିଷ୍ଟ ସମୟଲାଗି ଅଲଗା ରହିବାକୁ ବୁଝାଇଥାଏ । ଚତୁର୍ଦ୍ଦଶ ଶତାଦ୍ଦୀରେ ଭେନିସ ଭଳି ୟୁରୋପୀୟ ବନ୍ଦରରେ ପ୍ଳେଗ ସଂକ୍ରମଣ ପ୍ରତିହତ କରିବା ନିମନ୍ତେ ବିଦେଶାଗତ ଜାହାଜର ନାବିକମାନଙ୍କୁ ୪୦ ଦିନ ଜନବସତିରୁ ଅଲଗା ରଖାଯାଉଥିଲା । ଇଟାଲୀ ଭାଷାରେ ‘କ୍ୱାରେଣ୍ଟାଜିରୋନି’ର ଅର୍ଥ ୪୦ ଦିନ ବୋଲି ଭାଷାକୋଷ ସୂଚନା ଦିଏ । ଓଡ଼ିଆରେ ଏହାର ପ୍ରତିଶବ୍ଦ ଭାବେ ‘ପୃଥକବାସ’ ବ୍ୟବହାର ଉଚ଼ିତ ।


 

ସେହିପରି ‘ସୋସିଆଲ ଡିଷ୍ଟେନ୍ସିଂ’ ପଦ୍ଧତି ଉପଯୋଗରେ ସଂକ୍ରମଣରୁ ଦୂରେଇ ରଖିବା ନିମନ୍ତେ ସାମାଜିକସ୍ତରରେ ଚଳପ୍ରଚଳ ବାରଣ କରି ନିଜ ନିଜ ଘରେ କିଛି କାଳ ବସବାସ କରିବାକୁ ସରକାରୀଭାବେ ନୀତିନିୟମ ପ୍ରଣୟନ କରାଯାଇ ବାଧ୍ୟ କରାଯାଇଥାଏ । ‘ସୋସିଆଲ ଡ଼ିଷ୍ଟେନ୍ସିଂ’ର ଆକ୍ଷରିକ ଅନୁବାଦ ‘ସାମାଜିକ ଦୂରତ୍ୱ’ ବ୍ୟବହାର ମୋଟରୁ ସ୍ପୃହଣୀୟ ନୁହେଁ । ଦୈନନ୍ଦିନ ସାମାଜିକ କାର୍ଯ୍ୟଧାରାରୁ ଦୂରେଇ ଯାଇ ଅବସ୍ଥାନ ହେତୁ ‘ସାମାଜିକ ଦୂରାବସ୍ଥାନ’ ବ୍ୟବହାର କରିବା ଯୁକ୍ତିଯୁକ୍ତ ମନେହୁଏ ।‘ଶାରିରୀକ ଦୂରତ୍ୱ’ ମଧ୍ୟ ଅନ୍ୟ ଏକ ପ୍ରତିଶବ୍ଦ ।


 

ସେହିପରି ‘ଆଇସୋଲେସନ’ର ପ୍ରତିଶବ୍ଦ ରୂପେ ‘ସଙ୍ଗରୋଧ’, ‘ଏକାନ୍ତବାସ’ ଏବଂ ‘ସେଲଫ-ଆଇସୋଲେସନ’ କ୍ଷେତ୍ରରେ ‘ଆତ୍ମନିର୍ବାସନ’ ବ୍ୟବହାର ଏବଂ ‘ଏପିଡ଼େମିକ’କୁ ମହାମାରୀ କୁହାଗଲେ ‘ପାଣ୍ଡେମିକ’କୁ ବିଶ୍ୱ ମହାମାରୀ ବର୍ଣ୍ଣନା କରାଯିବା ଯଥାର୍ଥ । କରୋନା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ସାମାଜିକଦୂରାବସ୍ଥାନର ପ୍ରଭାବ ଦର୍ଶାଇବା ଲାଗି ଗ୍ରାଫରେବ୍ୟବହୃତ ‘ଫ୍ଳାଟେନିଂ-ଦି-କର୍ଭ’ର ଆକ୍ଷରିକ ଓଡିଆ ଅନୁବାଦ ‘ବକ୍ରତା ଖଣ୍ଡନ’ ବଦଳରେ ‘ଭୂତାଣୁ ସଂକ୍ରମଣ ହାର ସୁଧାରିବା’ ବ୍ୟବହାର ଉଚ଼ିତ । ମହାମାରୀ ସଂକ୍ରମଣ ଅବସରରେ ପାଠକ ଓ ଦର୍ଶକଙ୍କ ମଧ୍ୟରେ ଭୀତି ସଞ୍ଚାର ପରିବର୍ତ୍ତେ ପ୍ରକୃତ ତଥ୍ୟ ଓ ବିଜ୍ଞାନ ଅନୁମୋଦିତ ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ଚ଼େତନା ଜାଗ୍ରତ ଗଣମାଧ୍ୟମର ମୌଳିକ କର୍ତ୍ତବ୍ୟ ।      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୭ ମାର୍ଚ୍ଚ ୨୦୨୦


ତଥ୍ୟ:



Reframe : Reporting on Coronavirus 



<https://reframe.resolvephilly.org/covid-19/framing/>

ମହାମାରୀ- ପୂର୍ବ ସମ୍ୱାଦପତ୍ର ପାଠକ ସଂଖ୍ୟା

ଭାରତୀୟ ସମ୍ୱାଦପତ୍ର ପାଠକ ସର୍ବେକ୍ଷଣ ୨୦୧୯ ‘ଇଣ୍ଡିଆନ ରିଡ଼ରସିପ ସର୍ଭେ’ର ଶେଷ ତ୍ରୟମାସିକ ବିବରଣୀ ମେ’ ୨୦୨୦ ପ୍ରଥମ ସପ୍ତାହରେ ପ୍ରକାଶିତ ହୋଇଥିଲା । ‘ଦି ମିଡ଼ିଆ ରିସର୍ଚ ୟୁଜର୍ସ କାଉନସିଲ ଇଣ୍ଡିଆ’ ପକ୍ଷରୁ ମାର୍କେଟିଂ ଗବେଷଣା ସଂସ୍ଥା ‘ନେଲସନ’ ସହଚର୍ଯ୍ୟରେ ଆୟୋଜିତ ଏହି ସର୍ଭେ ନିମନ୍ତେ ଦେଶବ୍ୟାପୀ ତିନି ଲକ୍ଷ ୨୭ ହଜାର ପରିବାରଙ୍କ ଗଣମାଧ୍ୟମ ଆହରଣ ଅଭ୍ୟାସ ସଂପର୍କୀତ ତଥ୍ୟ ସଂଗୃହର ବ୍ୟବସ୍ଥା କରାଯାଇଥିଲା । ନମୂନା ମଧ୍ୟରେ ସହରାଞ୍ଚଳର ଦୁଇ ଲକ୍ଷ ୧୪ ହଜାର ଏବଂ ଗ୍ରାମାଞ୍ଚଳର ଏକ ଲକ୍ଷ ୧୩ ହଜାର ପରିବାର ଅନ୍ତର୍ଭୁକ୍ତ । ମୋଟ ନମୂନାରେ ୧୧ ଲକ୍ଷ ୪ ହଜାର ୭୨୬ ସଦସ୍ୟ ସାମିଲ ହୋଇଥିଲେ ।


 

ଇଣ୍ଡିଆନ ରିଡ଼ରସିପ ସର୍ଭେର ପ୍ରଥମ ତ୍ରୟମାସିକ ବିବରଣୀ ନଭେମ୍ୱର ୨୦୧୮ରୁ ଏପ୍ରିଲ ୨୦୧୯, ଦ୍ୱିତୀୟ ତ୍ରୟମାସିକ ବିବରଣୀ ଏପ୍ରିଲ ୨୦୧୯ରୁ ଜୁଲାଇ ୨୦୧୯, ତୃତୀୟ ତ୍ରୟମାସିକ ବିବରଣୀ ଅଗଷ୍ଟ ୨୦୧୯ରୁ ନଭେମ୍ୱର ୨୦୧୯ ଏବଂ ଚତୁର୍ଥ ତ୍ରୟମାସିକ ବିବରଣୀ ଡ଼ିସେମ୍ୱର ୨୦୧୯ରୁ ମାର୍ଚ୍ଚ ୨୦୨୦ରେ ସଂଗୃହୀତ ତଥ୍ୟାବଳୀ ଆଧାରିତ । ପୂର୍ବ ତିନିଗୋଟି ତ୍ରୟମାସିକ ବିବରଣୀର ହାରାହାରି ତଥ୍ୟ ସହ ଚତୁର୍ଥ ତ୍ରୟମାସିକ ବିବରଣୀର ତଥ୍ୟ ମିଳାଇ ୨୦୧୯ ବର୍ଷ ପାଇଁ ‘ରୋଲିଂ ଏଭରେଜ’ ଚୁଡାନ୍ତ ବିବରଣୀ ପ୍ରସ୍ତୁତ କରାଯାଇଛି ।


 

ଇଣ୍ଡିଆନ ରିଡ଼ରସିପ ସର୍ଭେ ୨୦୧୯ର ଚ଼ତୁର୍ଥ ତ୍ରୟମାସିକ ବିବରଣୀ ‘କୋଭିଡ଼-୧୯’ ବିଶ୍ୱମାହାମାରୀ-ପୂର୍ବ ସମ୍ୱାଦପତ୍ର ପାଠକ ସଂଖ୍ୟା, ସେମାନଙ୍କ ଗଣମାଧ୍ୟମ ରୁଚ଼ି ତଥା ଅର୍ଥନୀତିକ ଅବସ୍ଥା ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥାଏ । ଗଣମାଧ୍ୟମ ପରିବେଶରେ ଲକଡାଉନ-ପର ଅବସ୍ଥାରେ ବ୍ୟାବସାୟିକ କାରଣରୁ ବୃହତ ପରିବର୍ତ୍ତନ ଆଶା କରାଯାଉଥିବା ସ୍ଥଳେ ଏତାଦୃଶ ତଥ୍ୟାବଳୀ ଗୁରୁତ୍ୱ ବହନ କରିଥାଏ । ମହାମାରୀ-ପୂର୍ବ ଅବସ୍ଥାରେ ପାଠକ ସଂଖ୍ୟା ବିଭିନ୍ନ ପାରିପାର୍ଶ୍ୱିକ ପରିବର୍ତ୍ତନ ଦ୍ୱାରା କିଭଳି ପ୍ରଭାବିତ ହେବ ଭବିଷ୍ୟତରେ ତାହା ମୂଳ ସ୍ଥିତାବସ୍ଥାକୁ କେନ୍ଦ୍ର କରି ହିସାବ କରାଯିବ ।


 

ସାମଗ୍ରିକଭାବେ ଡ଼ିସେମ୍ୱର ୨୦୧୮ରୁ ମାର୍ଚ୍ଚ ୨୦୨୦ ସମୟସୀମାରେ ଦେଶର ଜନସାଧାରଣଙ୍କ ମଧ୍ୟରେ ୩୬ ପ୍ରତିଶତ ସମ୍ୱାଦପତ୍ର ଓ ୫ ପ୍ରତିଶତ ପତ୍ରପତ୍ରିକା ପାଠ କରୁଥିଲେ । ଟେଲିଭିଜନ ଦର୍ଶକ ସଂଖ୍ୟା ୭୬ ପ୍ରତିଶତ, ରେଡ଼ିଓ ଶ୍ରୋତା ସଂଖ୍ୟା ୨୦ ପ୍ରତିଶତ ଓ ଚଳଚିତ୍ର ଦର୍ଶକ ସଂଖ୍ୟା ୩ ପ୍ରତିଶତ ଥିବା ସ୍ଥଳେ ଇଣ୍ଟରନେଟ ଉପଭୋକ୍ତଙ୍କ ସଂଖ୍ୟା ୪୧ ପ୍ରତିଶତ । ଜନସଂଖ୍ୟାର ୮୩ ପ୍ରତିଶତ କୌଣସି ଏକ ଗଣମାଧ୍ୟମର ଉପଭୋକ୍ତାଥିବା ହିସାବ କରାଯାଇଥିଲା ।


 

ମାର୍ଚ୍ଚ ୨୦୨୦ ସୁଦ୍ଧା ବିଗତ ଚାରିମାସରେ ସର୍ବଭାରତୀୟସ୍ତରରେ ୩୪.୫ ପ୍ରତିଶତ ସମ୍ୱାଦପତ୍ର ପାଠକ ହିସାବ କରାଯାଇଥିବା ସ୍ଥଳେ ହିନ୍ଦିରେ ୧୫.୭ ପ୍ରତିଶତ, ଅନ୍ୟ ଆଞ୍ଚଳିକ ଭାଷାଗୁଡ଼ିକରେ ୧୮.୯ ପ୍ରତିଶତ ଓ ଇଂଲିଶରେ ମାତ୍ର ତିନି ପ୍ରତିଶତ ପାଠକ ଅନ୍ତର୍ଭୁକ୍ତ । ଏମାନଙ୍କ ମଧ୍ୟରୁ ସହରାଞ୍ଚଳରେ ୨୬.୫ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୧୪ ପ୍ରତିଶତ ପାଠକ । ଓଡ଼ିଶାରେ ଜାତୀୟହାର ଠାରୁ ତିନି ପ୍ରତିଶତ କମ ୩୧.୫ ପ୍ରତିଶତ ସମ୍ୱାଦପତ୍ର ପାଠକ ଥିବା ଜଣାଯାଇଥିଲା ।


 

ରିପୋର୍ଟ ଅନୁଯାୟୀ ସର୍ବାଧିକ ପାଠକ ଦାବୀ କରୁଥିବା ପ୍ରଥମ ପାଞ୍ଚଗୋଟି ଓଡ଼ିଆ ସମ୍ୱାଦପତ୍ର ମଧ୍ୟରେ ‘ସମ୍ୱାଦ’ର ପାଠକ ସଂଖ୍ୟା ୬୫ ଲକ୍ଷ ୯୪ ହଜାର, ‘ସମାଜ’ ପାଠକ ସଂଖ୍ୟା ୫୬ ଲକ୍ଷ ୯୩ ହଜାର, ‘ପ୍ରମେୟ’ ପାଠକ ସଂଖ୍ୟା ୩୬ ଲକ୍ଷ ୨୧ ହଜାର, ‘ଧରିତ୍ରୀ’ ପାଠକ ସଂଖ୍ୟା ୨୬ ଲକ୍ଷ ୫୧ ହଜାର ଓ ‘ପ୍ରଗତିବାଦୀ’ ପାଠକ ସଂଖ୍ୟା ଛଅ ଲକ୍ଷ ୪୧ ହଜାର ରହିଥିଲା ।


 

ତୁଳନାତ୍ମକ ଭାବେ ପଡ଼ୋଶୀ ପଶ୍ଚିମବଙ୍ଗରେ ପ୍ରଥମ ସ୍ଥାନରେ ‘ଆନନ୍ଦ ବଜାର ପତ୍ରିକା’ର ପାଠକ ସଂଖ୍ୟା ଏକ କୋଟି ୨୮ ଲକ୍ଷ ୯୦ ହଜାର, ଦ୍ୱିତୀୟ ସ୍ଥାନରେ ‘ବର୍ତ୍ତମାନ’ର ପାଠକ ସଂଖ୍ୟା ଏକ କୋଟି ତିନି ଲକ୍ଷ ୬୯ ହଜାର ଓ ତୃତୀୟରେ ‘ଏଇ ସମୟ’ର ପାଠକ ସଂଖ୍ୟା ୨୮ ଲକ୍ଷ ୪୨ ହଜାର ତଥା ଆନ୍ଧ୍ର ପ୍ରଦେଶରେ ପ୍ରଥମ ସ୍ଥାନରେ ‘ଇନାଡୁ’ର ପାଠକ ସଂଖ୍ୟା ୬୩ ଲକ୍ଷ ୯୧ ହଜାର, ଦ୍ୱିତୀୟ ସ୍ଥାନରେ ‘ସାକ୍ଷୀ’ର ପାଠକ ସଂଖ୍ୟା ୫୭ ଲକ୍ଷ ୫୬ ହଜାର ଓ ତୃତୀୟ ସ୍ଥାନରେ ‘ଆନ୍ଧ୍ରଜ୍ୟୋତି’ର ପାଠକ ସଂଖ୍ୟା ୩୦ ଲକ୍ଷ ୫୬ ହଜାର ହିସାବ କରାଯାଇଥିଲା ।


 

ସର୍ବଭାରତୀୟସ୍ତରରେ ମୋଟ ସମ୍ୱାଦପତ୍ର ପାଠକ ସଂଖ୍ୟା ୪୦ କୋଟି ଥିବା ସ୍ଥଳେ ଟେଲିଭିଜନ ଦର୍ଶକ ସଂଖ୍ୟା ୮୪ କୋଟି, ରେଡ଼ିଓ ଶ୍ରୋତା ସଂଖ୍ୟା ୨୨ କୋଟି ୬୦ ଲକ୍ଷ ଓ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୪୪ କୋଟି ୯୦ ଲକ୍ଷ ରହିଥିଲା । ସମ୍ୱାଦପତ୍ର, ଟେଲିଭିଜନ, ରେଡ଼ିଓ ଓ ଇଣ୍ଟରନେଟ ଚାରିଗୋଟି ଗଣମାଧ୍ୟମ ମଞ୍ଚ ମଧ୍ୟରୁ ମାତ୍ର ୧୦ ଭାଗ ଉପଭୋକ୍ତା ସମସ୍ତ ଚାରିଗୋଟି ମାଧ୍ୟମ ବ୍ୟବହାର କରୁଥିବା ସ୍ଥଳେ ୧୯ ପ୍ରତିଶତ ତିନିଗୋଟି, ୨୪ ପ୍ରତିଶତ ଦୁଇଗୋଟି ଏବଂ ୩୧ ପ୍ରତିଶତ ଗୋଟିଏ ମଞ୍ଚ ବ୍ୟବହାର କରୁଥିଲେ । ପ୍ରାୟ ୧୭ ପ୍ରତିଶତ କୌଣସି ଗୋଟିଏ ମଧ୍ୟ ମଞ୍ଚ ବ୍ୟବହାର କରୁନଥିବା ଜଣାଯାଇଥିଲା ।


 

ଭାରତରେ ଇଣ୍ଟରନେଟ ମୁଖ୍ୟତଃ ସ୍ମାର୍ଟଫୋନ ଯୋଗେ ଆହରଣ କରାଯାଉଥିବା ସ୍ଥଳେ ସହରାଞ୍ଚଳରେ ୪୨ ପ୍ରତିଶତ ଏବଂ ଗ୍ରାମାଞ୍ଚଳେ ୨୧ ପ୍ରତିଶତ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ । ସେମାନଙ୍କ ମଧ୍ୟରୁ ସହରାଞ୍ଚଳରେ ୪୭ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୨୫ ପ୍ରତିଶତ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଉପସ୍ଥିତ ରହୁଥିଲେ । ସମ୍ୱାଦ ସରବରାହ କ୍ଷେତ୍ରରେ ଇଣ୍ଟରନେଟ ଏବଂ ସୋସିଆଲ ମିଡ଼ିଆ ମଞ୍ଚ ଗୁଡ଼ିକ ବ୍ୟବହାର ବୃଦ୍ଧି ପାରମ୍ପରିକ ମୁଦ୍ରିତ ସମ୍ୱାଦପତ୍ର, ରେଡ଼ିଓ ଓ ଟେଲିଭିଜନ ମଞ୍ଚରେ ସମ୍ୱାଦ ପରିବେଷଣକୁ ଗଭୀର ପ୍ରଭାବିତ କରିବା ଆକଳନ କରାଯାଏ ।


 

ରିପୋର୍ଟରେ ଉପସ୍ଥାପିତ ତଥ୍ୟାବଳୀ ଅନୁଶୀଳନରେ ମୁଦ୍ରିତ ଦୈନିକ ସମ୍ୱାଦପତ୍ରର ପାଠକ ସଂଖ୍ୟା ସାମାନ୍ୟ କମି ଆସୁଥିବା ଲକ୍ଷ୍ୟ କରାଯାଇଥିଲା । ଜନସାଧାରଣ କୌଣସି ଗୋଟିଏ ଗଣମାଧ୍ୟମ ମଞ୍ଚ ବଦଳରେ ଏକାଧିକ ମଞ୍ଚର ଉପଭୋକ୍ତା ସାଜୁଛନ୍ତି । କେବଳ ଇଣ୍ଟରନେଟ ବ୍ୟବହାର କ୍ଷେତ୍ରରେ ବୃଦ୍ଧିକୁ ବାଦ ଦେଲେ ଅନ୍ୟାନ୍ୟ ମଞ୍ଚର ଉପଭୋକ୍ତା ହାର ଊଣା ଅଧିକେ ବାର୍ଷିକ ଭିତ୍ତିରେ ବିଭିନ୍ନ ତ୍ରୟମାସିକ ଗଣନାରେ ସମାନ ରହିଥିଲା ।


 

ସର୍ବଭାରତୀୟସ୍ତରରେ ସମ୍ୱାଦପତ୍ର ପାଠକ ସଂଖ୍ୟା ସହ ଓଡ଼ିଶାର ପାଠକ ସଂଖ୍ୟା ୨୦୧୯ର ଚାରିଗୋଟି ତ୍ରୟମାସିକ ଗଣନାରେ କମ ରହିଆସିଥିଲା । ପ୍ରଥମ ତ୍ରୟମାସିକ ଗଣନାରେ ସର୍ବଭାରତୀୟସ୍ତରରେ ସମ୍ୱାଦପତ୍ର ପାଠକ ସଂଖ୍ୟା ୩୭.୩ ପ୍ରତିଶତ ଥିବାସ୍ଥଳେ ଓଡ଼ିଶାରେ ୩୨.୮ ପ୍ରତିଶତ, ଦ୍ୱିତୀୟ ତ୍ରୟମାସିକ ଗଣନାରେ ସର୍ବଭାରତୀୟସ୍ତରରେ ୩୬.୭ ପ୍ରତିଶତ ଥିବା ସ୍ଥଳେ ଓଡ଼ିଶାରେ ୩୨.୯ ପ୍ରତିଶତ, ତୃତୀୟ ତ୍ରୟମାସିକ ଗଣନାରେ ସର୍ବଭାରତୀୟସ୍ତରରେ ୩୫.୭ ପ୍ରତିଶତ ଥିବା ସ୍ଥଳେ ଓଡ଼ିଶାରେ ୩୨.୫ ପ୍ରତିଶତ ଏବଂ ଚତୁର୍ଥ ତ୍ରୟମାସିକ ଗଣନାରେ ସର୍ବଭାରତୀୟସ୍ତରରେ ୩୪.୫ ପ୍ରତିଶତ ରହିଥିବା ସ୍ଥଳେ ଓଡ଼ିଶାରେ ୩୧.୫ ପ୍ରତିଶତରେ ସୀମିତ ରହିଥିଲା ।


 

ମହାମାରୀ-ପୂର୍ବ ଗଣମାଧ୍ୟମ ପରିବେଶରେ ଡ଼ିଜିଟାଲ ମଞ୍ଚର ଦୃତ ବିକାଶ ଏବଂ କ୍ରମଶଃ ଟେଲିଭିଜନ ପ୍ରସାରଣ ଡିଜିଟାଲ ମଞ୍ଚ ଆଶ୍ରିତ ହୋଇପଡୁଥିବା ଉଦାହରଣ ଭବିଷ୍ୟତରେ ସମ୍ୱାଦମଞ୍ଚଗୁଡ଼ିକୁ ‘ଡ଼ିଜିଟାଲ-ଫାଷ୍ଟ’ ନୀତି ନିର୍ଦ୍ଧାରଣ ନିମନ୍ତେ ବାଧ୍ୟ କରିବା ଆଶା କରାଯାଇପାରେ । ମହାମାରୀ ଅବସରରେ ଏପ୍ରିଲ ଓ ମେ ଦୁଇମାସ ଧରି ଜନପଦ ବନ୍ଦ ‘ଲକ ଡ଼ାଉନ’ରେ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ହୋଇଯିବା ଏବଂ ଖୋଲିବା ପରେ ମଧ୍ୟ ସଂକ୍ରମଣ ଭୟରେ ଦର୍ଶକ ପ୍ରେକ୍ଷାଳୟ ମୁହାଁ ନହେବା ଆଶଙ୍କା କରାଯାଉଥିବା ହେତୁ ନୂତନ ଚଳଚ଼ିତ୍ରଗୁଡ଼ିକ ଡ଼ିଜିଟାଲ ମଞ୍ଚରେ ପ୍ରଦର୍ଶନର ବ୍ୟବସ୍ଥା ଚଳଚ଼ିତ୍ର ଶିଳ୍ପରେ ଆଲୋଡ଼ନ ସୃଷ୍ଟି କରିଥିଲା ।


 

ମହାମାରୀ-ପର ପରିବେଶରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା କାରଣରୁ ବିଜ୍ଞାପନ ଆୟ ହ୍ରାସ ପାଇବା, ସଂକ୍ରମଣ ରୋକିବା ନିମନ୍ତେ ସମ୍ଭାବ୍ୟ ଜନପଦ ବନ୍ଦ ଓ ଯାନବାହନଗୁଡ଼ିକର ମୁକ୍ତ ଚଳାଚଳରେ ବିଭିନ୍ନ ପ୍ରତିବନ୍ଧକ ହେତୁ ପ୍ରସାରଣ ବ୍ୟାହତ ହେବା ଏବଂ ସର୍ବୋପରି ଗ୍ରାହକଙ୍କ ଘରେ ପ୍ରତ୍ୟେହ ସମ୍ୱାଦପତ୍ର ପହୁଞ୍ଚାଇବା ନିମନ୍ତେ ସୁପ୍ରତିଷ୍ଠିତ ହକର ବ୍ୟବସ୍ଥା ଥରେ ଭୁଷୁଡ଼ି ପଡ଼ିଥିବା ହେତୁ ପୁନର୍ବାର ସୁଦୃଢ଼ କରିବା ବ୍ୟୟବହୁଳ ପ୍ରମାଣିତ ହୋଇପାରେ । ଡ଼ିଜିଟାଲ ମଞ୍ଚରେ ତତକ୍ଷଣାତ ଭିଡ଼ିଓ ପ୍ରାଧାନ୍ୟ ସମ୍ୱାଦ ପ୍ରସାରଣରେ ଜନସାଧାରଣ ଅଭ୍ୟସ୍ତ ହୋଇପଡ଼ିବା ପରେ ସମ୍ୱାଦପତ୍ର ପାଠ କରିବା ନିମନ୍ତେ ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରେ କେଉଁ କାରଣରୁ ପହଞ୍ଚିବେ ଏବଂ ସମ୍ୱାଦପତ୍ରଗୁଡ଼ିକ ସେଭଳି ପାଠକୀୟ ରୁଚିକୁ ସୁହାଇବା ଦିଗରେ କେତେଦୂର ସମର୍ଥ ହୋଇପାରିବେ ତାହା ସମୟ କହିବ ।       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୨ ମେ ୨୦୨୦


ତଥ୍ୟ:



Indian Readership Survey 2019 Q4


 

IRS 2019 Q4 result out . May 8, 2020 



<https://www.mxmindia.com/2020/05/irs-2019-q4-results-out/>


 

‘ସମ୍ୱାଦ’ ସବୁବେଳେ ଶୀର୍ଷରେ । ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) ମେ’ ୧୩, ୨୦୨୦

ମହାମାରୀ- ପୂର୍ବ ଡ଼ିଜିଟାଲ ମଞ୍ଚ

ପର୍ଯ୍ୟାପ୍ତ ସଂଖ୍ୟକ ନମୂନା ‘ସେମ୍ପଲ’ ସମ୍ୱଳିତ ‘ଆଇ-କ୍ୟୁବ ୨୦୧୯’ ସର୍ବେକ୍ଷଣ ବିବରଣୀରେ ଭାରତର ସକ୍ରିୟ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୫୭ କୋଟି ୪୦ ଲକ୍ଷ ସୂଚ଼ିତ କରାଯାଇଥିଲା । ଗବେଷଣାରେ ଯୁକ୍ତିଯୁକ୍ତ ସଂଖ୍ୟକ ନମୂନାଙ୍କଠାରୁ ତଥ୍ୟ ସଂଗ୍ରହରେ ନିର୍ଯ୍ୟାସର ଗୁଣବତ୍ତା ନିର୍ଭରଶୀଳ ବୋଲି ବିଚାର କରାଯାଏ । ବଜାର ଗବେଷଣା ବିଶାରଦ ‘କାନ୍ତର’ ଆନୁକୂଲ୍ୟରେ ଆୟୋଜିତ ‘ଆଇ-କ୍ୟୁବ’ର ବାର୍ଷିକ ଡିଜିଟାଲ ମଞ୍ଚ ସର୍ବେକ୍ଷଣରେ ଦେଶର ୩୯୦ ଗୋଟି ସହର ଏବଂ ୧୩୦୦ରୁ ଅଧିକ ଗ୍ରାମରେ ୭୫ ହଜାର ଉପଭୋକ୍ତାଙ୍କ ଇଣ୍ଟରନେଟ ବ୍ୟବହାର ସଂପର୍କରେ ମେ’ ୨୦୧୯ରୁ ଅଗଷ୍ଟ ୨୦୧୯ ମଧ୍ୟରେ ତଥ୍ୟ ସଂଗୃହୀତ ହୋଇଥିଲା । ‘ଆଇ-କ୍ୟୁବ’ ବାର୍ଷିକ ବିବରଣୀ ୧୯୯୮ରୁ ନିୟମିତ ପ୍ରକାଶିତ ହୋଇ ଆସୁଛି ଏବଂ ୨୦୧୯ର ୨୨ତମ ସଂସ୍କରଣ ୨୦୨୦ ମେ’ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇଥିଲା ।


 

ଆଲୋଚ଼୍ୟ ବିବରଣୀରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୯ ବର୍ଷର ମଧ୍ୟଭାଗ ସୁଦ୍ଧା ଭାରତର ୪୧ ପ୍ରତିଶତ ଜନସଂଖ୍ୟା ଇଣ୍ଟରନେଟ ଦ୍ୱାରା ସଂଯୁକ୍ତ ଥିଲେ । ଏହି ପରିସଂଖ୍ୟାନ ମହାମାରୀ-ପୂର୍ବ ଡ଼ିଜିଟାଲ ମଞ୍ଚର ସମ୍ୟକ ରୂପରେଖ ବର୍ଣ୍ଣନା କରିଥାଏ । ମହାମାରୀ ଅବସରରେ ଜନପଦ ବନ୍ଦ ଦୀର୍ଘ ସମୟଧରି ବଳବତ୍ତର ରହିବା ତଥା ଦୋକାନବଜାର ଅଭାବ ହେତୁ ଇଣ୍ଟରନେଟ ସଂଯୁକ୍ତି ସଂଖ୍ୟା ବୃଦ୍ଧି ପାଇବା ଅବକାଶ ସୃଷ୍ଟି ନହୋଇଥିଲେ ହେଁ,  ସଂଯୁକ୍ତ ଉପଭୋକ୍ତାମାନେ ଅଧିକମାତ୍ରାରେ ଇଣ୍ଟରନେଟ ବ୍ୟବହାର କରିଥିବା ବିଶ୍ୱାସଯୋଗ୍ୟ । ଏହି ସମୟସୀମାରେ ଶିକ୍ଷା, ବ୍ୟବସାୟ, ସମ୍ୱାଦ ପ୍ରବାହ ଅନୁସନ୍ଧାନ ସାଙ୍ଗକୁ ମନୋରଞ୍ଜନ ନିମନ୍ତେ ଡିଜିଟାଲ ମଞ୍ଚର ବ୍ୟବହାର ତଥା ଡ଼ିଜିଟାଲ ସାକ୍ଷରତା ହାର ବଢ଼ିଥିବା ଆଶା କରାଯାଇଥିଲା । ମହାମାରୀ-ପର ଯେକୌଣସି ସର୍ବେକ୍ଷଣ ନିମନ୍ତେ ‘ଆଇ-କ୍ୟୁବ ୨୦୧୯’ ବିବରଣୀ ଗୁରୁତ୍ୱ ବହନ କରିବା ନିଶ୍ଚିତ ।


 

ଭାରତର ଗ୍ରାମାଞ୍ଚଳରେ ଇଣ୍ଟରନେଟ ସଂଯୁକ୍ତି ଏବଂ ବ୍ୟବହାର ୪୫ ପ୍ରତିଶତ ବୃଦ୍ଧି ୨୦୧୯ରେ ହିସାବ କରାଯାଇଥିଲା । ଗ୍ରାମାଞ୍ଚଳ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୨୦୧୯ ମଧ୍ୟଭାଗ ସୁଦ୍ଧା ୨୬ କୋଟି ୪୦ ଲକ୍ଷରେ ପହଞ୍ଚଥିଲା । ଡ଼ିଜିଟାଲ ମଞ୍ଚଗୁଡ଼ିକରେ ଅଧିକ ସଂଖ୍ୟରେ ଭିଡ଼ିଓ ଓ ଆଞ୍ଚଳିକ ଭାଷାରେ ତଥ୍ୟ ଉପଲବ୍ଧ ହେବା ଏହାର କାରଣ ଭାବେ ଦର୍ଶାଯାଉଛି ।


 

ଦେଶରେ ଡ଼ିଜିଟାଲ ମଞ୍ଚ ବ୍ୟବହାର ବୃଦ୍ଧିରେ ୧୫ ବର୍ଷରୁ କମ ବୟସର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏହି ବର୍ଗର ଉପଭୋକ୍ତାମାନେ ମୁଖ୍ୟତଃ ଖେଳ ଓ ମନୋରଞ୍ଜନ ନିମନ୍ତେ ଡ଼ିଜିଟାଲ ମଞ୍ଚରେ ପହଞ୍ଚୁଥିବା ସ୍ଥଳେ ମହାମାରୀ ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବା ଏବଂ ଅନଲାଇନ ଶିକ୍ଷାଦାନକୁ ଉତ୍ସାହିତ କରିବା ଫଳରେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ବର୍ଗର ଉପଭୋକ୍ତାଙ୍କ ସଂଖ୍ୟା ତଥା ଇଣ୍ଟରନେଟ ବ୍ୟବହାର ସୀମାରେ ବ୍ୟାପକ ପରିବର୍ତ୍ତନ ଆଶା କରାଯାଇଥିଲା ।


 

ମହାମାରୀ-ପୂର୍ବ ଅବସ୍ଥାରେ ଭାରତର ଇଣ୍ଟରନେଟ ଉପଭୋକ୍ତାମାନଙ୍କ ମଧ୍ୟରୁ ପ୍ରାୟ ସଭିଏଁ ମୋବାଇଲ ଫୋନ ଯୋଗେ ଡ଼ିଜିଟାଲ ମଞ୍ଚରେ ପହଞ୍ଚୁଥିଲେ । ଯେଉଁମାନେ ଡ଼େସ୍କଟପ, ଲ୍ୟାପଟପ ଓ ଟେବଲେଟ ବ୍ୟବହାର କରୁଥିଲେ ସେଥିସହ ମୋବାଇଲ ଫୋନକୁ ମଧ୍ୟ ସାମିଲ କରୁଥିଲେ । ଫଳରେ ସମ୍ୱାଦଠାରୁ ଆରମ୍ଭ କରି ଚଳଚ଼ିତ୍ର, ଶିକ୍ଷାଠାରୁ ଆରମ୍ଭ କରି ବାଣିଜ୍ୟବ୍ୟବସାୟ ପ୍ରତ୍ୟେକ କ୍ଷେତ୍ରରେ ଡ଼ିଜିଟାଲ-ଫାଷ୍ଟ ଆଙ୍ଗିକ ପ୍ରାଧାନ୍ୟ ଦାବୀ କରିବସିଥିଲା । ମହାମାରୀ-ପର ଅବସ୍ଥାରେ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପରିବର୍ତ୍ତେ ବାସଗୃହ କର୍ମସ୍ଥଳୀରେ ରୂପାନ୍ତରିତ ହୋଇଚାଲିଥିବା ହେତୁ ଲ୍ୟାପଟପ ବ୍ୟବହାର ପୁଣି ବୃଦ୍ଧି ପାଇଥିଲା ।


 

‘ଆଇ-କ୍ୟୁବ ୨୦୧୯’ ରିପୋର୍ଟରେ ୨୦୨୦ରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୧୧ ପ୍ରତିଶତ ବୃଦ୍ଧି ପାଇ ୬୩ କୋଟି ୯୦ ଲକ୍ଷରେ ପହଞ୍ଚିବା ଆଶା କରାଯାଇଥିଲା । ସେହିପରି ୧୫ ବର୍ଷରୁ କମ ଛାତ୍ରଛାତ୍ରୀ ଏବଂ ମହିଳାମାନଙ୍କ ଡ଼ିଜିଟାଲ ମଞ୍ଚରେ ଉପସ୍ଥିତି ବୃଦ୍ଧି ଆକଳନ ହୋଇଥିଲା । ମହାମାରୀରେ ଦୀର୍ଘକାଳ ଜନପଦ ବନ୍ଦର ଅବଧି ଏଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲା । ପ୍ରକୃତପକ୍ଷେ କହିବାକୁ ଗଲେ ଅନେକ ପରିବାରରେ ଇଣ୍ଟରନେଟ ସଂଯୁକ୍ତିଥିଲେ ହେଁ, କମବୟସ୍କ ଓ ମହିଳାମାନେ ପାରମ୍ପରିକ ମନୋବୃତ୍ତି ହେତୁ ଡିଜିଟାଲ ମଞ୍ଚରୁ ଦୂରେଇ ରହୁଥିଲେ । ମହାମାରୀ ଅବସରରେ ପିଲାଙ୍କ ଅନଲାଇନ ଶିକ୍ଷା ଓ ମହିଳାମାନେ ସମୟ ବିତାଇବା ଲାଗି ଡିଜିଟାଲ ମଞ୍ଚରେ ପହଞ୍ଚିବା ଆରମ୍ଭ କରିଥିବା ଜଣାଯାଇଥିଲା ।


 

ଭାରତୀୟ ଇଣ୍ଟରନେଟ ଉପଭୋକ୍ତାମାନଙ୍କ ମଧ୍ୟରୁ ୮୪ ପ୍ରତିଶତ ମନୋରଞ୍ଜନ ପାଇଁ ଡିଜିଟାଲ ମଞ୍ଚ ବ୍ୟବହାର କରିଥାନ୍ତି । ଏହି ଅଭ୍ୟାସକୁ ଭିତ୍ତିକରି ଟେଲିଭିଜନ ଓ ଚଳଚ଼ିତ୍ର କ୍ରମଶଃ ଡିଜିଟାଲ ମଞ୍ଚ ଅଭିମୁଖୀ ହେଉଥିବା ଲକ୍ଷ୍ୟ କରାଯାଏ । ‘ଆଇ-କ୍ୟୁବ ୨୦୧୯’ ବିବରଣୀ ଅନୁଯାୟୀ ଦେଶର ଇଣ୍ଟରନେଟ ଉପଭୋକ୍ତାମାନଙ୍କ ଡ଼ିଜିଟାଲ ମଞ୍ଚ ବ୍ୟବହାର ଅଭ୍ୟାସ ଓ ସମୟସୀମା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯେଉଁମାନେ ମାସକରେ ଅନ୍ତତଃ ଥରେ ଇଣ୍ଟରନେଟ ବ୍ୟବହାର କରିଥାନ୍ତି ସେମାନଙ୍କୁ ସକ୍ରିୟ ଇଣ୍ଟରନେଟ ଉପଭୋକ୍ତା ପର୍ଯ୍ୟାୟଭୁକ୍ତ କରାଯାଇଥାଏ । ୨୦୧୯ରେ ପ୍ରତି ଦଶ ଜଣ ମାସିକ ସକ୍ରିୟ ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରୁ ନଅ ଜଣ ଦୈନିକଭିତ୍ତିରେ ଇଣ୍ଟରନେଟ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା । ଅର୍ଥାତ, ଇଣ୍ଟରନେଟ ସଂଯୁକ୍ତି ସହ ଇଣ୍ଟରନେଟର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଥିବା ସ୍ପଷ୍ଟ ।


 

ସହରାଞ୍ଚଳରେ ୨୦୧୯ ସୁଦ୍ଧା ବାସଗୃହଗୁଡ଼ିକରେ କ୍ରମଶଃ ଇଣ୍ଟରନେଟ ସଂଯୁକ୍ତ ଆସବାବପତ୍ର ‘ଇଣ୍ଟରନେଟ ଅଫ ଥିଙ୍ଗସ’ ବ୍ୟବହାର ବୃଦ୍ଧି ପାଇଚାଲିଥିବା ଦେଖିବାକୁ ମିଳେ । ମହାମାରୀ-ପର ଅବସ୍ଥାରେ ବିଶେଷକରି ୫ଜି ଯୋଗାଯୋଗ ବୈଷୟିକ କୌଶଳ ପରିବ୍ୟାପ୍ତି ପରେ ଇଣ୍ଟରନେଟ ବ୍ୟବହାରରେ ଏହିଭଳି ଅନ୍ୟ ଏକ ପର୍ଯ୍ୟାୟ ଉନ୍ମୋଚ଼ିତ ହେବା ଆଶା କରାଯାଏ । ‘ଆଇ-କ୍ୟୁବ ୨୦୧୯’ ରିପୋର୍ଟ ଅନୁଯାୟୀ ୨୦୧୮ ତୁଳନାରେ ୨୦୧୯ରେ ବର୍ଷକ ମଧ୍ୟରେ ୧୧ କୋଟି ୨୦ ଲକ୍ଷ ନୂତନ ଇଣ୍ଟରନେଟ ସଂଯୁକ୍ତି ସଂଭବପର ହୋଇଥିଲା । ସେହିପରି ଇଣ୍ଟରନେଟ ଉପଭୋକ୍ତାମାନଙ୍କ ଇଣ୍ଟରନେଟ ଦୈନିକ ବ୍ୟବହାର ସମୟସୀମା ବର୍ଷକ ମଧ୍ୟରେ ୬୦ ପ୍ରତିଶତ ବୃଦ୍ଧି ପାଇଥିଲା ।


 

ବିଶ୍ୱବ୍ୟାପୀ ‘କୋଭିଡ଼-୧୯’ ସଂକ୍ରମଣକାଳରେ ଜନସାଧାରଣଙ୍କ ମଧ୍ୟରେ ରୋଗ ସଂପର୍କରେ ଚ଼େତନା ସୃଷ୍ଟିରେ ମହାମାରୀ-ପୂର୍ବ ଡ଼ିଜିଟାଲ ମଞ୍ଚର ବିକାଶ ସହାୟକ ହୋଇଥିଲା । ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ୮୪ କୋଟି ଟେଲିଭିଜନ ଓ ୪୪ କୋଟି ୯୦ ଲକ୍ଷ ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ଦ୍ରୁତ ଗତି ଓ ଦୀର୍ଘ ସମୟ ସଂବାଦ ପ୍ରସାରଣ ସେମାନଙ୍କୁ ମହାମାରୀ ସଂପର୍କରେ ଅବଗତ କରାଇବା ତଥା ସଂକ୍ରମଣ ପ୍ରତିରୋଧାତ୍ମକ ଜନପଦ ବନ୍ଦ ଭଳି କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ପ୍ରୋତ୍ସାହିତ କରିପାରିଥିଲା ।


 

ସେହିପରି ସୋସିଆଲ ମିଡ଼ିଆରେ ଗ୍ରାମାଞ୍ଚଳର ୨୫ ପ୍ରତିଶତ ଓ ସହରାଞ୍ଚଳର ୪୭ ପ୍ରତିଶତ ଜନସାଧାରଣଙ୍କ ଉପସ୍ଥିତି ଜନପଦ ବନ୍ଦ ଅବଧି ଶେଷ ନହେଉଣୁ ଦେଶାନ୍ତରୀ ଶ୍ରମିକଙ୍କ ଘରବାହୁଡ଼ା ଭଳି ନାକାରାତ୍ମକ ପରିବେଶ ସୃଷ୍ଟିର ମଧ୍ୟ କାରଣ ପାଲଟିଥିବା ବିଶ୍ୱାସ କରାଯାଇପାରେ । ମହାମାରୀ ଅବସରରେ ଡ଼ିଜିଟାଲ ମଞ୍ଚର ବ୍ୟାବହାରିକ ଗୁରୁତ୍ୱବୃଦ୍ଧି ମହାମାରୀ-ପର ପର୍ଯ୍ୟାୟରେ ତାହାର ପ୍ରସାର ଓ ଉପଯୋଗରେ ସହାୟକ ହେବା ନିଶ୍ଚିତ ।        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁନ ୨୦୨୦


ତଥ୍ୟ:



Mera Gaon, Mera Digital. www.mxmindia.com May 7, 2020 



<www.mxmindia.com/2020/05/mera-gaon-mera-digital/>

ମହାମାରୀ- ପୂର୍ବ ୟୁଟ୍ୟୁବ ଦର୍ଶକ

ମହାମାରୀ ‘କୋଭିଡ଼-୧୯’ ସଂକ୍ରମଣ ରୋକିବା ନିମନ୍ତେ ଭାରତରେ ମାର୍ଚ୍ଚ ଶେଷ ସପ୍ତାହରୁ ଲକଡାଉନ ଘୋଷଣାପରେ ଏପ୍ରିଲ ମାସ ଶେଷ ସୁଦ୍ଧା ୟୁଟ୍ୟୁବ ଦର୍ଶକଙ୍କ ସଂଖ୍ୟା ୨୦.୫ ବୃଦ୍ଧି ପାଇଥିବା ହିସାବ କରାଯାଇଥିଲା । ଏଥି ପୂର୍ବରୁ ଜାନୁୟାରୀରୁ ମାର୍ଚ୍ଚ ୨୦୨୦ର ପ୍ରଥମ ତ୍ରୟମାସରେ ୨୦୧୯ ଶେଷ ତ୍ରୟମାସ ତୁଳନାରେ ୧୩ ପ୍ରତିଶତ ତଥା ପୂର୍ବବର୍ଷ ୨୦୧୯ ପ୍ରଥମ ତ୍ରୟମାସ ତୁଳନାରେ ୧୧ ପ୍ରତିଶତ ଦର୍ଶକ ବୃଦ୍ଧି ଘଟିଥିବା ୟୁଟ୍ୟୁବ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ ।


 

ମହାମାରୀର ଠିକ୍ ପୂର୍ବରୁ ୬,୫୦୦ ଭାରତୀୟ ଦର୍ଶକଙ୍କୁ ନମୂନାଭାବେ ନେଇ ସେମାନଙ୍କ ଭିଡ଼ିଓ ଆହରଣ ଅଭ୍ୟାସ ସଂପର୍କରେ ଅବଗତ ହେବା ନିମନ୍ତେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ସଂଗୃହୀତ ତଥ୍ୟ ବିଶ୍ଳେଷଣରେ ପ୍ରସ୍ତୁତ ‘ଅଣ୍ଡରଷ୍ଟେଣ୍ଡିଂ ଇଣ୍ଡିଆନ ଅନଲାଇନ ଭିଡ଼ିଓ ଭିଉୟର’ରୁ  ଜଣାଯାଏ ଯେ ଦେଶରେ ୫୪ ପ୍ରତିଶତ ଦର୍ଶକ ହିନ୍ଦି ଭାଷାର ଭିଡ଼ିଓ ଦେଖୁଥିବା ସ୍ଥଳେ ତେଲୁଗୁରେ ୭ ପ୍ରତିଶତ, କନ୍ନଡ଼ରେ ୬ ପ୍ରତିଶତ, ତାମିଲରେ ୫ ପ୍ରତିଶତ ଓ ବଙ୍ଗଳାରେ ୩ ପ୍ରତିଶତରେ ସୀମିତ । ଓଡ଼ିଆ ଭାଷାରେ ୟୁଟ୍ୟୁବରେ ଭିଡ଼ିଓ ପ୍ରଦର୍ଶନ ନଗଣ୍ୟ ଥିବାସ୍ଥଳେ ଦର୍ଶକ ସଂଖ୍ୟା ତିନି ପ୍ରତିଶତରୁ କମ, ସଂଭବତଃ ଏକ ପ୍ରତିଶତ ଆଖପାଖ ଅନୁମାନ କରାଯାଇପାରେ ।


 

ଦେଶରେ ଯେଉଁମାନେ ନିୟମିତ ଭାବେ ଭିଡ଼ିଓ ଦେଖନ୍ତି ସେମାନେ ଦୈନିକ ଅନ୍ତତଃପକ୍ଷେ ସେଥିରେ ହାରାହାରି ୬୭ ମିନଟ ବିନିଯୋଗ କରିଥାନ୍ତି । ଭିଡ଼ିଓ ଦର୍ଶକଙ୍କ ମଧ୍ୟରେ ୭୦ ପ୍ରତିଶତ ୧୫ରୁ ୩୪ ବର୍ଷ ବୟସ ବର୍ଗ ଏବଂ ୩୭ ପ୍ରତିଶତ ଦର୍ଶକ ଗ୍ରାମାଞ୍ଚଳର । ମୁଖ୍ୟତଃ ୭୯ ପ୍ରତିଶତ ଭିଡ଼ିଓ ଆହରଣ ଗୃହ ମଧ୍ୟରେ ଏବଂ ୨୧ ପ୍ରତିଶତ ଯାତ୍ରା କାଳରେ ସମାହିତ ହୋଇଥାଏ ।


 

ମାର୍ଚ୍ଚ ୨୦୨୦ ସୁଦ୍ଧା ଭାରତରେ ୟୁଟ୍ୟୁବ ଦର୍ଶକ ସଂଖ୍ୟା ୩୦ କୋଟି ଗଣତି କରାଯାଇଛି । କମ୍ପାନୀର ଆକଳନରେ ଡ଼ିସେମ୍ୱର ୨୦୨୦ ସୁଦ୍ଧା ତାହା ୫୦ କୋଟିରେ ପହଞ୍ଚିବା ଆଶା କରାଯାଉଛି । ମହାମାରୀଜନିତ ଲକଡ଼ାଉନ-ସଟଡ଼ାଉନ କାଳରେ ଡିଜିଟାଲ ସମୃଦ୍ଧ ଜନସାଧାରଣ ଦୀର୍ଘ ସମୟ ଧରି ଗୃହାବଦ୍ଧ ରହିବା ଫଳରେ ଭିଡ଼ିଓ ଆହରଣ ବୃଦ୍ଧି ପାଇବା ସ୍ୱଭାବିକ । ଜନସାଧାରଣ ମାନସିକ ଚାପ ଗ୍ରସ୍ତ ହୋଇପଡୁଥିବା ହେତୁ କିଛି ସମୟ ଡିଜିଟାଲ ମଞ୍ଚରେ ପଢ଼ିବାପରେ ଅଧିକ ସମୟ ଭିଡ଼ିଓ ଦେଖାରେ ଅତିବାହିତ କରିବା ନିମନ୍ତେ ଆଗ୍ରହୀ ହେବା ଯୁକ୍ତିଯୁକ୍ତ ।


 

ଅନ୍ୟପକ୍ଷରେ ନିରକ୍ଷର ଓ ନବସାକ୍ଷରମାନେ ଡିଜିଟାଲ ମଞ୍ଚରେ ପହଞ୍ଚୁଥିବା ସ୍ଥଳେ ପଠନ ବଦଳରେ ଭିଡିଓ ଦେଖାକୁ ପ୍ରାଧାନ୍ୟ ଦେଉଛନ୍ତି । ସେହିପରି ଟେଲିଭିଜନରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଦେଖିବା ବାଧ୍ୟବାଧକତାରୁ ମୁକ୍ତ ପାଇ ଭିଡ଼ିଓ ଯୋଗେ ଦର୍ଶକ ସମୟସୀମା ଅତିକ୍ରମ କରି ନିଜ ପସନ୍ଦର କାର୍ଯ୍ୟକ୍ରମ ଦେଖିପାରନ୍ତି । ୟୁଟ୍ୟୁବ ଏକ ମୁକ୍ତ ଓ ନିଃଶୁକ୍ଳ ମଞ୍ଚ ରୂପେ ଗଢ଼ି ଉଠିଥିବା ହେତୁ ସେଥିରେ ବିଭିନ୍ନ ବିଷୟର ଭିଡ଼ିଓ ଉପଲବ୍ଧ । ଚଳନ୍ତି ସମ୍ୱାଦ ଓ ମନୋରଞ୍ଜନ ବ୍ୟତୀତ ଶିକ୍ଷା, ସ୍ୱାସ୍ଥ୍ୟରକ୍ଷା, ରନ୍ଧନ, ପ୍ରସାଧନ ଓ ଭ୍ରମଣ ଭଳି ବିଷୟବସ୍ତୁର ବିବିଧତା ମଧ୍ୟ ୟୁଟ୍ୟୁବ ଦର୍ଶକଙ୍କ ରୁଚ଼ିକୁ ସୁହାଇଥାଏ ।


 

ୟୁଟ୍ୟୁବ ପକ୍ଷରୁ ଆୟୋଜିତ ଅଧ୍ୟୟନରୁ ଜଣାଯାଏ ଯେ ଭିଡ଼ିଓ ଉପଭୋକ୍ତାମାନଙ୍କ ମଧ୍ୟରୁ ୭୧ ପ୍ରତିଶତ କୌଣସି ଶିକ୍ଷଣୀୟ ବିଷୟ ସଂପର୍କରେ ଅବଗତ ହେବା ନିମନ୍ତେ ପ୍ରଥମେ ୟୁଟ୍ୟୁବ ମଞ୍ଚରେ ସୂଚନା ଖୋଜିଥାନ୍ତି । ଲକଡ଼ାଉନ ଅବସରରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ହୋଇଯିବା ହେତୁ ଅନଲାଇନ ଶିକ୍ଷାର ଗୁରୁତ୍ୱ ବୃଦ୍ଧି ପାଇଥିବା ବେଳେ ଏହି ଧାରାର ସଶକ୍ତିକରଣ ନିମନ୍ତେ ‘ୟୁଟ୍ୟୁବ ଲେର୍ଣ୍ଣିଂ ଡ଼େଷ୍ଟିନେସନ’ ନାମକ ଉପକ୍ରମରେ ଉଚ୍ଚମାନର ଶିକ୍ଷଣୀୟ ଭିଡ଼ିଓ ପ୍ରସ୍ତୁତି ନିମନ୍ତେ ଉଦ୍ୟମ ଆରମ୍ଭ କରାଯାଇଛି ।


 

ମହାମାରୀ ପୂର୍ବରୁ ଭାରତୀୟ ଦର୍ଶକମାନେ ସୋସିଆଲ ମିଡ଼ିଆରେ ଦୈନିକ ହାରାହାରି ଦେଢ଼ ଘଣ୍ଟା ବିତାଉଥିବା ସ୍ଥଳେ ଲକଡ଼ାଉନ – ସଡ଼ ଡାଉନ ପ୍ରଭାବରେ ଚାରି ଘଣ୍ଟା ଯାଏଁ ବୃଦ୍ଧି ପାଇଥିବା ହିସାବ କରାଯାଏ । ଦର୍ଶକଙ୍କ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଦୀର୍ଘ ସମୟ ଉପସ୍ଥିତି ୟୁଟ୍ୟୁବ ସମେତ ଅନ୍ୟ ମଞ୍ଚରେ ଦର୍ଶକ ଓ ବ୍ୟବହାର ବୃଦ୍ଧିରେ ପର୍ଯ୍ୟବସିତ ହେବା ସୁଯୋଗ ସୃଷ୍ଟି କରିପାରିଲା ।


 

ଭାରତରେ ଭିଡ଼ିଓ ଆହରଣର ଅନ୍ୟତମ ବୈଶିଷ୍ଟ୍ୟ ଏହି ଯେ ଏଠାକାର ୯୦ ପ୍ରତିଶତ ଯାଏଁ ଉପଭୋକ୍ତା ମୋବାଇଲ ଫୋନରେ ୟୁଟ୍ୟୁବ ମଞ୍ଚରେ କଣ୍ଟେଣ୍ଟ ଦେଖିଥାନ୍ତି । ଦେଶରେ ୨୦୧୬ରେ ଜିଓ ପକ୍ଷରୁ ଇଣ୍ଟରନେଟ ସେବା ଆରମ୍ଭ କରାଯିବାପରେ ବ୍ୟାବସାୟିକ ପ୍ରତିଯୋଗିତାରେ ଡାଟାଦର ହ୍ରାସ ଏବଂ ଶସ୍ତା ମୋବାଇଲ ଫୋନ ବଜାରକୁ ଆସିବାପରେ ସର୍ବସାଧାରଣରେ ଇଣ୍ଟରନେଟର ବ୍ୟାପ୍ତି ଏବଂ ବ୍ୟବହାର ବଢ଼ିଲା । ଭିଡ଼ିଓ ଦର୍ଶକ ସଂଖ୍ୟାବୃଦ୍ଧିରେ ଏହି ଭଳି ପରିବେଶ ସହାୟକ ହେଲା ।


 

ଭାରତରେ ୟୁଟ୍ୟୁବ ଦର୍ଶକ ବୃଦ୍ଧି ଆକଳନରେ ଯୁବ ଓ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ଲୋକପ୍ରିୟତା ଏବଂ ଗ୍ରାମାଞ୍ଚଳରେ ଏକ ତୃତୀୟାଂଶରୁ ଉର୍ଦ୍ଧ୍ୱ ଉପଭୋକ୍ତାଙ୍କ ଯୋଗଦାନ ସଂପୃକ୍ତ ମଞ୍ଚ ନିମନ୍ତେ ଏକ ସମୃଦ୍ଧ ଭବିଷ୍ୟତର ସୂଚନା ଦେଇଥାଏ । ୨୦୨୦ରୁ ୨୦୨୫ ମଧ୍ୟରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ ସଂଯୁକ୍ତି ଏବଂ ଇଂଲିଶ ଓ ହିନ୍ଦି ଭିନ୍ନ ଭାରତୀୟ ଭାଷାଭାଷୀ ଉପଭୋକ୍ତା ସଂଖ୍ୟା ବୃଦ୍ଧି ଫଳରେ ଓଡ଼ିଆ ଭାଷାରେ ମଧ୍ୟ ଦର୍ଶକ ଭିଡ଼ିଓ ଖୋଜିବା ନିଶ୍ଚିତ । ତେବେ ସମକାଳରେ ଓଡ଼ିଆ ଭାଷାରେ ଉଚ୍ଚମାନର ଭିଡ଼ିଓ ଅଭାବ ହେତୁ ୟୁଟ୍ୟୁବର ଓଡ଼ିଆ ଭାଷାରେ ପ୍ରଦର୍ଶନ ହାର ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତିରେ ରହିଥିବା ହେତୁ ଏ ଦିଗରେ ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକ ।


 

ଓଡ଼ିଆ ଚଳଚ଼ିତ୍ରର ମାନବୃଦ୍ଧି ନିମନ୍ତେ ଓଡ଼ିଆ ଚଳଚ଼ିତ୍ର ବିକାଶ ନିଗମ କାର୍ଯ୍ୟ କରୁଥିବା ଆବସରରେ ଓଡ଼ିଆ ଚଳଚ଼ିତ୍ରଗୁଡ଼ିକ କିପରି ୟୁଟ୍ୟୁବ ମଞ୍ଚରେ ସ୍ଥାନିତ ହୋଇପାରିବ ସେ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିପାରନ୍ତି । ପାଶ୍ଚାତ୍ୟ ଗଣମାଧ୍ୟମ ବିଶେଷଜ୍ଞମାନେ ମହାମାରୀ-ପର ପାଞ୍ଚ ବର୍ଷ ମଧ୍ୟରେ ଚଳଚ଼ିତ୍ର ପ୍ରେକ୍ଷାଳୟରେ ପ୍ରଦର୍ଶନ ଧାରା ଲୋପ ପାଇବା ଆକଳନ କରୁଥିବା ସ୍ଥଳେ ଓଡ଼ିଶାରେ ଆମେ ସେହି ସମୟସୀମାକୁ ଗ୍ରହଣ କରିନେବା ନା ଅଧିକା ପାଞ୍ଚ ବର୍ଷ ଯୋଡ଼ିବା ତାହା ବିଚାର ବିମର୍ଷର ବିଷୟ । ଏହି ପରିସ୍ଥିତିରେ ଓଡ଼ିଆ ଚଳଚ଼ିତ୍ର ପ୍ରଦର୍ଶନ ନିମନ୍ତେ ବିକଳ୍ପ ମଞ୍ଚ ନିରୂପଣ ସମୟ ଉପନୀତ । କମ ଓଡ଼ିଆ ଭାଷାଭାଷୀ ଦର୍ଶକ ହେତୁ ଏଠାରେ ତତ୍ କ୍ଷଣାତ ଓଟିଟି ପ୍ଲାଟଫରମ ବିଜ୍ଞାପନ ଅଭାବରୁ ଲାଭଦାୟକ ନ ହୋଇପାରେ । ତେବେ ୟୁଟ୍ୟୁବରେ ଦର୍ଶକ ସଂଖ୍ୟା ହଠାତ ବୃଦ୍ଧି ପାଇଥିବା ଏବଂ ପ୍ରତିବେଶୀ ତେଲୁଗୁ ଓ ବଙ୍ଗଳା ଭାଷାର ଚଳଚ଼ିତ୍ର ପ୍ରଦର୍ଶନରୁ ବିଜ୍ଞାପନ ବାବଦରେ ବେଶ ଦୁଇପଇସା ଆଦାୟ କରିପାରୁଥିବା ଉଦାହରଣରୁ ଆମର ଶିଖିବାର ଅଛି ।


 

ମହାମାରୀ କାଳରେ ୟୁଟ୍ୟୁବରେ ବହୁ ସଂଖ୍ୟକ ବଙ୍ଗଳା ଚଳଚ଼ିତ୍ର ସ୍ଥାନିତ ହୋଇଛି । ବିଶେଷ କରି ଉନ୍ନତମାନର ଯେଉଁ ବଙ୍ଗଳା ଚଳଚ଼ିତ୍ରଗୁଡ଼ିକର ପ୍ରଦର୍ଶନ କେବଳ ‘ନନ୍ଦନ’ କିମ୍ୱା ଚଳଚ଼ିତ୍ର ଉତ୍ସବଗୁଡ଼ିକରେ ସୀମିତ ରହୁଥିଲା ତାହା ୟୁଟ୍ୟୁବରେ ଉପଲବ୍ଧ ହେବା ହେତୁ କେବଳ ପଶ୍ଚିମବଙ୍ଗ ବା ବଙ୍ଗଳାଦେଶ କାହିଁକି ବହୁ ପ୍ରାନ୍ତରୁ ଗୁଣାଗ୍ରାହୀମାନଙ୍କ ନିକଟତର ହେବା ସଂଭବପର ହୋଇଛି । ବଙ୍ଗଳା ସଂସ୍କୃତି ପ୍ରସାର ଓ ପର୍ଯ୍ୟଟନ ବିକାଶ ନିମନ୍ତେ ଏହାକୁ ଏକ ପ୍ରକୃଷ୍ଟ ସୁଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ ।


 

ଓଡ଼ିଆ ଚଳଚ଼ିତ୍ର ନିର୍ମାଣ ବ୍ୟାବସାୟିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ନଥିବା ହେତୁ ଓଡ଼ିଶା ଚଳଚ଼ିତ୍ର ବିକାଶ ନିଗମ ପକ୍ଷରୁ ଉନ୍ନତମାନର ଓଡ଼ିଆ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ଦଶ ଲକ୍ଷ ଟଙ୍କା ଲେଖା ଯାଏଁ ଅନୁଦାନ ଦେବା କଥା ବିଚାର କରିପାରନ୍ତି । ପରିବର୍ତ୍ତିତ ପରିବେଶରେ ଡିଜିଟାଲ ସାଧନ ବ୍ୟବହାରରେ କମ ବଜେଟରେ ଚଳଚ଼ିତ୍ରରୁ ନିର୍ମାଣ ସମ୍ଭବପର । ଏ ଦିଗରେ ଆମେ ମନୋନିବେଶ କରିପାରିଲେ ୟୁଟ୍ୟୁବ ଭଳି ଭିଡ଼ିଓ ମଞ୍ଚଗୁଡ଼ିକ ଋଚିପୂର୍ଣ୍ଣ ଓଡ଼ିଆ କଣ୍ଟେଣ୍ଟ ପ୍ରସ୍ତୁତ ହୋଇପାରିବ ।


 

ୟୁଟ୍ୟୁବ ୨୦୨୦ ଶେଷ ସୁଦ୍ଧା ୫୦ କୋଟି ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚି ପାରୁଥିବା ହେତୁ ମହାମାରୀ-ପର ବିଜ୍ଞାପନ ଆୟ ଟେଲିଭିଜନ ପରକୁ ଭିଡ଼ିଓ ମଞ୍ଚ ମୁହାଁ ହେବା ନିଶ୍ଚିତ । କ୍ରମଶଃ ଏହା ସମ୍ୱାଦ, ଅଭିମତ, ସୂଚ଼ନା, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି ଓ ରାଜନୀତି ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିବ । ସରକାରୀ ବିଜ୍ଞାପନ ମୋହରେ ପାରମ୍ପରିକ ମୁଦ୍ରଣ ଗଣମାଧ୍ୟମ ମଞ୍ଚ ସୀମାବଦ୍ଧ ରହୁଥିବା ହେତୁ ବ୍ୟାବସାୟିକ ବିଜ୍ଞାପନ ଆୟ ବୃଦ୍ଧି ନିମନ୍ତେ ଡିଜିଟାଲ ମଞ୍ଚରେ ନିବେଶ ହୁଏତ ଓଡ଼ିଶାରେ ତୁରନ୍ତ ଫଳବତୀ  ନ ହୋଇପାରିଲେ ସୁଦ୍ଧା, ଯେ ଭବିଷ୍ୟତ ଉଜ୍ଜଳ ଏହାକୁ ଅସ୍ୱୀକାର କରି ହେବ ନାହିଁ ।


 

ୟୁଟ୍ୟୁବ ସଫଳତାର ସିଡ଼ି ଚଢ଼ି ଚାଲିଥିବା ସ୍ଥଳେ ମହାମାରୀରେ ଭିଡ଼ିଓ ମଞ୍ଚଟି ନିଜ ୧୫ ତମ ଜନ୍ମବାର୍ଷିକୀ ପାଳନ କରିଛି । ଯୁକ୍ତରାଷ୍ଟ୍ର ଆମେରିକାର ସନ ଡିଆଗୋ ଠାରେ ମେ ୨୦୦୫ରେ ୟୁଟ୍ୟୁବ ମଞ୍ଚର ଉନ୍ମେଷ ଘଟିଥିଲା । ୟୁଟ୍ୟୁବର ସହପ୍ରତିଷ୍ଠାତା ଜାୱେଦ କରିମ ଏକ ଚ଼ିଡିଆଖାନାରେ ପଲେ ହାତୀଙ୍କ ସମ୍ମୁଖରେ ସେମାନଙ୍କ ଆକାର ବର୍ଣ୍ଣନା କରୁଥିବା ୧୮ ସେକଣ୍ଡର ଭିଡ଼ିଓ ପ୍ରଥମଥର ପାଇଁ ପ୍ରଦର୍ଶିତ ହୋଇଥିଲା । ବର୍ଷକପରେ ୨୦୦୬ରେ ୟୁଟ୍ୟୁବକୁ ଗୁଗୁଲ ଅଧିଗ୍ରହଣ କରିଥିଲା । ଚଉଦ ବର୍ଷ ପରେ ୨୦୨୦ ମହାମାରୀ ବେଳକୁ ୟୁଟ୍ୟୁବରେ ପ୍ରତି ଘଣ୍ଟାରେ ପାଞ୍ଚ ଶହ ଘଣ୍ଟାର ଭିଡ଼ିଓ ଅପଲୋଡ଼ କରାଯାଉଛି ।         


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୧ ଜୁଲାଇ ୨୦୨୦


ତଥ୍ୟ:



YouTube sees surge in subscriber base, views due to Coid-19 lockdown 


<https://www.business.standard.com> April 21, 2020.

 

 

Milter, Sohini. How YouTube India spurred a thriving content economy cutting across genres, languages, demographics 


<https://yourstory.com> April 1, 2019.


ମହାମାରୀରେ ବଲିଉଡ଼ ଚଳଚ଼ିତ୍ର ଶିଳ୍ପ

ଚଳଚ଼ିତ୍ର ଶିଳ୍ପରେ ନିର୍ମାଣ, ବିତରଣ ଓ ପ୍ରଦର୍ଶନ ତିନିଗୋଟି ମୁଖ୍ୟ ବ୍ୟବସାୟ । ପ୍ରଯୋଜକ, ନିର୍ଦ୍ଦେଶକ ଓ ଲେଖକଙ୍କ କଳ୍ପନା ପ୍ରସୂତ ଚଳଚ଼ିତ୍ର ଦର୍ଶକଙ୍କ ଉପଭୋଗସ୍ତରରେ ପହଞ୍ଚୁଇବା ନିମନ୍ତେ ବହୁ ସୃଜନ ପ୍ରତିଭା, ବ୍ୟବସାୟୀ ଓ କର୍ମଚାରୀଙ୍କ ସଂପୃକ୍ତି ଆବଶ୍ୟକ ପଡ଼ିଥାଏ । ‘କୋଭିଡ଼-୧୯’ ମହାମାରୀ ଅବସରରେ ବଲିଉଡ଼ ଓ ଓଲିଉଡ଼ ଉଭୟସ୍ତରରେ ହିନ୍ଦି ଓ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ, ବିତରଣ ଓ ପ୍ରଦର୍ଶନ ବନ୍ଦରହିଥିଲା । ଫଳତଃ ଏଥିରେ ସଂପୃକ୍ତ ବ୍ୟକ୍ତି ଓ ସେମାନଙ୍କ ପରିବାରବର୍ଗ ପ୍ରଭାବିତ ହୋଇଥିଲେ ।


 

ମହାମାରୀ ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ଜନଗହଳି ବାରଣ କରାଯାଉଥିବା ହେତୁ ଦେଶବ୍ୟାପୀ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକୁ ପ୍ରଥମରୁ ହିଁ ବନ୍ଦ ରଖାଯାଇଥିଲା । ମନୋରଞ୍ଜନ ସାମାଜିକ କ୍ଷେତ୍ରରେ ଅତ୍ୟାବଶ୍ୟକ ସେବା ପର୍ଯ୍ୟାୟଭୁକ୍ତ ନଥିବା ହେତୁ ‘ଅନଲକ’ ପ୍ରକ୍ରିୟାରେ ଚଳଚ଼ିତ୍ର ପ୍ରଦର୍ଶନ ସବା ଶେଷରେ ଖୋଲିଲା । ସମୀକ୍ଷକମାନଙ୍କ ମତରେ ଦେଶରେ ପ୍ରେକ୍ଷାଳୟଗୁଡ଼ିକ ପ୍ରଥମ ଅଢ଼େଇମାସ ବନ୍ଦ ରହିବା ଫଳରେ ପ୍ରାୟ ୨,୫୦୦ କୋଟି ଟଙ୍କା କ୍ଷତି ସହିଥିଲା ଏବଂ ସେପ୍ଟେମ୍ୱର ଶେଷ ଯାଏଁ ଯଦି ବନ୍ଦ ରହେ ତେବେ କ୍ଷତିର ପରିମାଣ ପାଞ୍ଚ ଛଅ ହଜାର କୋଟି ଟଙ୍କାରେ ପହଞ୍ଚିଥିଲା । ହିନ୍ଦି ଚଳଚ଼ିତ୍ରର ଭାଗ ଏଥିରୁ ୪୦ ରୁ ୫୦ ପ୍ରତିଶତ ।


 

ବଲିଉଡ଼ରେ ଅଢ଼େଇ ମାସ ଧରି ହିନ୍ଦି ଚଳଚ଼ିତ୍ର ‘ଲକଡ଼ାଉନ’ରେ ବନ୍ଦ ରହିବା ପରେ ‘ଅନଲକ ୧.୦’ ଅବସରରେ ଜୁନ ପହିଲାରୁ ସୀମିତ ମାତ୍ରାରେ ସୁଟିଂ ଆରମ୍ଭ ହୋଇଥିଲା । କାର୍ଯ୍ୟପରିସରରେ ସଂକ୍ରମଣ ରୋକିବା ନିମନ୍ତେ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ୧୬ ପୃଷ୍ଠା ବିଶିଷ୍ଟ ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା । ଏଥିରେ ଚଳଚ଼ିତ୍ର, ଟେଲିଭିଜନ ଓ ଓଭର-ଦି-ଟପ ‘ଓଟିଟି ଷ୍ଟ୍ରୀମିଂ’ ଲାଗି ସୁଟିଂ, ରେକଡ଼ିଂ, ଏଡ଼ିଟିଂ ଇତ୍ୟାଦି ବିଭିନ୍ନ ପର୍ଯ୍ୟାୟରେ ଚଳଚ଼ିତ୍ର ନିର୍ମାଣ କାଳରେ ସତର୍କତା ଅବଲମ୍ୱନ ନିମନ୍ତେ ନୀତି ନିର୍ଦ୍ଧାରିତ ହୋଇଥିଲା । ତେବେ ସେଥିମଧ୍ୟରୁ ଅଧିକାଂଶ ଅବାସ୍ତବ ଏବଂ ଅନୁସରଣ ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ହୋଇଥିଲା ।


 

ଉଦାହରଣରେ ଘୋଷିତ ନିର୍ଦ୍ଦେଶନାମା ଅନୁଯାୟୀ ସୁଟିଂ ଚାଲିଲା ବେଳେ ପ୍ରତ୍ୟେକ ୟୁନିଟରେ ଡ଼ାକ୍ତର, ନର୍ସ, ଆମ୍ୱୁଲାନ୍ସ ମୁତୟନ ରହିବ , ସୁଟିଂରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ କଳାକାର ଓ କର୍ମଚାରୀଙ୍କ ନିମନ୍ତେ ଷ୍ଟୁଡ଼ିଓ ପରିସର କିମ୍ୱା ନିକଟସ୍ଥ ହୋଟେଲରେ ରହିବା ବ୍ୟବସ୍ଥା କରାଯିବା, ଅଭିନେତାମାନେ ମେକଅପ ଓ ଅଭିନୟଲାଗି ଆବଶ୍ୟକୀୟ ପୋଷାକ ପରିଚ୍ଛେଦ ‘କଷ୍ଟ୍ୟୁମ’ ପରିଧାନ କରି ସେଟକୁ ଆସିବା ଇତ୍ୟାଦି ନିର୍ଦ୍ଦେଶ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ସମ୍ଭବନୁହ । ସେହିପରି ୬୫ ବର୍ଷରୁ ଉର୍ଦ୍ଧ୍ୱ କଳାକାରଙ୍କୁ ଅଭିନୟ ବାରଣ କରିବା ସଙ୍ଗେ ପାରିବାରିକ ଦୃଶ୍ୟ ଚ଼ିତ୍ରଣ ନିମନ୍ତେ ମୁଖ୍ୟ ଅଭିନେତାଙ୍କ ପ୍ରକୃତ ପରିବାର ସଦସ୍ୟଙ୍କୁ ଉପଯୋଗ କରାଯିବାଲାଗି ପ୍ରସ୍ତାବ ହିନ୍ଦି ଚଳଚ଼ିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ପକ୍ଷେ ଗ୍ରହଣଯୋଗ୍ୟ ହୋଇପାରି ନଥିଲା । ଅମିତାଭ ବଚ୍ଚନଙ୍କ ବୟସ ୭୭ ଛୁଇଁଥିବା ସ୍ଥଳେ ସବନା ଆଜମୀଙ୍କ ବୟସ ୬୯ ବର୍ଷ । ଏହିଭଳି ଅଭିନେତା ଅଭିନେତ୍ରୀମାନଙ୍କୁ ବାଦ ଦେଇ ହିନ୍ଦି ଚଳଚ଼ିତ୍ର ନିର୍ମାଣ ହୁଏତ ବର୍ତ୍ତମାନ ପାଇଁ ଅବାସ୍ତବ । ଇଣ୍ଡିଆନ ମୋସନ ପିକଚର୍ସ ପ୍ରୋଡ୍ୟୁସର୍ସ ଏସୋସିଏସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶନାମାରେ ସଂଶୋଧନ ନିମନ୍ତେ ଦାବୀ କରାଯାଇଥିଲା ।


 

ମହାମାରୀ-ପର ଚଳଚ଼ିତ୍ର ନିର୍ମାଣ ଧାରାରେ ବ୍ୟାପକ ପରିବର୍ତ୍ତନ ଆକଳନ କରାଯାଇପାରେ । ପ୍ରଥମତଃ, ବୃହତ ହିନ୍ଦି ଚଳଚ଼ିତ୍ର ନିର୍ମାଣ ନିମନ୍ତେ ଦୂରଦୂରାନ୍ତରେ ସୁଟିଂ କରିବା ସଂଭବପର ହୋଇନପାରେ । ପରିବହନ ଓ ହୋଟେଲ ସୁବିଧା ସୁଯୋଗ ସ୍ୱାଭାବିକ ନହେବା ଯାଏଁ ନିର୍ମାତାମାନେ ବିକଳ୍ପ ଖୋଜିବା ସ୍ୱାଭାବିକ । ଦ୍ୱିତୀୟତଃ, ଚଳଚ଼ିତ୍ରର ବିଭିନ୍ନ ଦୃଶ୍ୟ ଦୁଇ ତିନି ଅଭିନେତାଙ୍କ ମଧ୍ୟରେ ସୀମିତ ରଖିବାକୁ ଗୁରୁତ୍ୱ ଦିଆଯାଇପାରେ । ଜଣେ ପ୍ରସିଦ୍ଧ ତାରକାଙ୍କ ପ୍ରାୟ ଦଶଜଣ ଯାଏଁ ବ୍ୟକ୍ତିଗତ ସହାୟକ ଯୋଗ ଦେଉଥିବାରୁ ସୁଟିଂ ସେଟରେ ୧୦୦ ରୁ ୧୨୦ ଯାଏଁ ବ୍ୟକ୍ତିଙ୍କ ଗହଳି ଜମେ । ବ୍ୟକ୍ତି-ବ୍ୟକ୍ତିଙ୍କ ମଧ୍ୟରେ ପାରସ୍ପରିକ ଦୂରତ୍ୱ ବଜାୟ ରଖିବା ନିମନ୍ତେ ପ୍ରତିଟି ଦୃଶ୍ୟରେ ଅଧିକ ଅଭିନେତାଙ୍କ ଉପସ୍ଥିତିକୁ କମାଇବାକୁ ପଡ଼ିବ ।


 

ତୃତୀୟତଃ, ବଲିଉଡ଼ ଚଳଚ଼ିତ୍ରଗୁଡ଼ିକରେ ସାମୂହିକ ନୃତ୍ୟ ଦୃଶ୍ୟଗୁଡ଼ିକରେ ଶହେ ଜଣ ଯାଏଁ ନୃତ୍ୟାଙ୍ଗନାଙ୍କ ଅଂଶଗ୍ରହଣରେ ସୁଟିଂ କରିବା ସମ୍ଭବପର ନଥିବା ହେତୁ ବୈଷୟିକ କୌଶଳ ପ୍ରୟୋଗ ଧାରା ଆରମ୍ଭ ହୋଇପାରେ । ଆଇଟମ ନମ୍ୱର ଗୀତଗୁଡ଼ିକର ଚିତ୍ରାଙ୍କନ ବୃହତ ଚଳଚ଼ିତ୍ରଗୁଡ଼ିକ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହିଥିବା କାରଣରୁ ହଠାତ ସେଗୁଡ଼ିକୁ ହୁଏତ ବାଦ ଦିଆଯାଇନପାରେ । ଚତୁର୍ଥତଃ, ମହାମାରୀକାଳରେ ଅନ୍ୟାନ୍ୟ କ୍ଷେତ୍ରରେ କର୍ମଚାରୀଙ୍କ ନିୟନ୍ତ୍ରିତ ଉପସ୍ଥିତି ଭଳି ଚଳଚ଼ିତ୍ର ସୁଟିଂ ନିମନ୍ତେ ଏକତୃତୀୟାଂଶ ଲୋକଶକ୍ତିକୁ ନେଇ କାର୍ଯ୍ୟ ଆରମ୍ଭ କରାଯିବା ନିମନ୍ତେ ନିର୍ଦ୍ଦେଶ ରହିଥିବା ତଥା ଆର୍ଥିକ ମନ୍ଦାବସ୍ଥାରେ ଚଳଚ଼ିତ୍ର ଶିଳ୍ପ ପ୍ରଭାବିତ ହୋଇଥିବା ହେତୁ ନିର୍ମାଣଜନିତ ସମସ୍ତ ଖର୍ଚ୍ଚ ହ୍ରାସ କରିବା ନିମନ୍ତେ ଉଦ୍ୟମ ଜାରୀ ରହିବା ନିଶ୍ଚିତ ।


 

ପଞ୍ଚମତଃ, ରୂପେଲୀ ପରଦାରେ ସମାଜର ନିଚ୍ଛକ ପ୍ରତିଛବି ଗଢ଼ି ତୋଳିବା ନିମନ୍ତେ ମହାମାରୀରେ ନିର୍ମିତ ବଲିଉଡ଼ ଚଳଚିତ୍ରର କାହାଣୀ, ସାମାଜିକ ପୃଷ୍ଠଭୂମି, ଚରିତ୍ରମାନଙ୍କ ଆଭୂଷଣରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ । ମୁହଁରେ ମାସ୍କ ଘୋଡ଼ାଇବା, ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଶାରିରୀକ ଦୂରତ୍ୱ, ବାରମ୍ୱାର ହାତଧୋଇବା, ସାର୍ବଜନୀନ ସ୍ଥାନଗୁଡ଼ିକରେ ଥର୍ମାଲ ସ୍କ୍ରିଂନିଂ, ଯାନବାହାନ ନିୟନ୍ତ୍ରଣ ଇତ୍ୟାଦି ନୂତନ ବାସ୍ତବତା ଚଳଚ଼ିତ୍ରରେ ପ୍ରତିବିମ୍ୱିତ ହେବ । ମହାମାରୀର ପ୍ରଭାବ ଅତିକମରେ ଦୁଇବର୍ଷ ଯାଏଁ ବଳବତ୍ତର ରହିବା ଆକଳନ କରାଯାଉଥିବା ହେତୁ ସାମାଜିକ ସ୍ଥିତାବସ୍ଥାକୁ ଚଳଚ଼ିତ୍ରରେ ଏଡ଼ାଇଦେବା ସମ୍ଭବପର ନହୋଇପାରେ ।


 

ବଲିଉଡ଼ ଚଳଚ଼ିତ୍ର ନିର୍ମିତ ହୋଇ ପ୍ରଦର୍ଶନ ନିମନ୍ତେ ପ୍ରେକ୍ଷାଳୟରେ ପହଞ୍ଚିବା ଅବସରରେ ପରିବର୍ତ୍ତିତ ବାସ୍ତବତାର ସାମ୍ନା କରିବା ଆଶା କରାଯାଇପାରେ । ଗଣମାଧ୍ୟମ ସମୀକ୍ଷକମାନଙ୍କ ଆକଳନରେ ଦେଶବ୍ୟାପୀ ମହାମାରୀର ପ୍ରଭାବ ଆଂଶିକ ପ୍ରତିହତ ହେବାପରେ ପ୍ରେକ୍ଷାଳୟଗୁଡ଼ିକରେ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ କରାଗଲେ ସୁଦ୍ଧା ଭିଡ଼ ନିୟନ୍ତ୍ରଣରେ ମହାମାରୀଜନିତ କଟକଣାମାନ ବଳବତ୍ତର ରହିପାରେ । ଅନଲାଇନରେ ଟିକଟ ଖରିଦ, ବ୍ୟକ୍ତି-ବ୍ୟକ୍ତିଙ୍କ ମଧ୍ୟରେ ପାରସ୍ପରିକ ଦୂରତ୍ୱରଖି ପ୍ରେକ୍ଷାଳୟରେ ପ୍ରବେଶ, ଦୁଇ ସିଟ ମଧ୍ୟରେ ଗୋଟିଏ ଖାଲି ଛାଡ଼ିବା ସହ ମାସ୍କ ପିନ୍ଧିବା, ଅସୁସ୍ଥଙ୍କୁ ବାରଣ କରାଯିବା ଇତ୍ୟାଦି ନୀତିନିୟମ ପାଳନ ହୋଇପାରେ । ମାଲଟିପ୍ଳେକ୍ସ ଗୁଡ଼ିକରେ ଚଳଚ଼ିତ୍ର ପ୍ରଦର୍ଶନର ସମୟନିର୍ଘଣ୍ଟ ପ୍ରସ୍ତୁତିରେ କିପରି ଦୁଇ ବା ଅଧିକ ଚଳଚ଼ିତ୍ର ଏକା ସମୟରେ ଆରମ୍ଭ, ମଧ୍ୟାନ୍ତର ବା ଶେଷ ହେବ ନାହିଁ ସେଥିପ୍ରତି ଧ୍ୟାନଦିଆଯିବ । ଏତଦ୍ୱାରା ଲବି ଓ ପ୍ରସାଧନ ଗୃହରେ ଦର୍ଶକଙ୍କ ଗହଳି କମାଯାଇପାରିବ ।


 

ମହାମାରୀ-ପୂର୍ବ ଅବସ୍ଥାରୁ ଇଣ୍ଟରନେଟ ଓ ମୋବାଇଲ ଫୋନ ବ୍ୟବହାରରେ ଓଭର-ଦି-ଟପ ବୈଷୟିକ କୌଶଳ ଚଳଚ଼ିତ୍ର ପ୍ରଦର୍ଶନ କ୍ଷେତ୍ରରେ ଆସ୍ଥାନ ଜମାଇ ସାରିଥିଲା । ନେଟଫ୍ଳିକ୍ସ, ଆମେଜନ ପ୍ରାଇମ, ହଟଷ୍ଟାର ଭଳି ଷ୍ଟ୍ରୀମିଂ ପ୍ଲାଟଫରମଗୁଡ଼ିକ ବଲିଉଡ଼ ଚଳଚ଼ିତ୍ରର ମୁକାବିଲା କରିବା ନିମନ୍ତେ ବିପୁଳ ଅର୍ଥବ୍ୟୟରେ ମୌଳିକ ଉପାଦାନ ପ୍ରଯୋଜନା ପ୍ରତି ଧ୍ୟାନ ଦେଇଥିଲେ । ଏପରିକି ବିଭିନ୍ନ ଆଞ୍ଚଳିକ ଭାଷାରେ କାର୍ଯ୍ୟକ୍ରମମାନ ପ୍ରସ୍ତୁତି ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥିଲେ । ଅକସ୍ମାତ ‘କୋଭିଡ଼-୧୯’ ମହାମାରୀ ସଂକ୍ରମଣ ରୋକିବା ନିମନ୍ତେ ଦେଶବ୍ୟାପୀ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ହୋଇଯିବା ଏବଂ ଜନସାଧାରଣ ଗୃହବାସରେ ସମୟ ଅତିବାହିତ କରିବା ଅବସରରେ ଷ୍ଟ୍ରୀମିଂ ପ୍ଲାଟଫରମଗୁଡ଼ିକ ଉପଭୋଗ କରିବା ନିମନ୍ତେ ପ୍ରକୃଷ୍ଟ କ୍ଷେତ୍ର ପ୍ରସ୍ତୁତ ହୋଇପାରିଥିଲା ।


 

ପାରମ୍ପରିକ ଟେଲିଭିଜନ ଚ୍ୟାନେଲଗୁଡ଼ିକ ପୁରାତନ ଚଳଚ଼ିତ୍ର ପ୍ରଦର୍ଶନରେ ସୀମିତ ରହୁଥିବା ସ୍ଥଳେ ଷ୍ଟ୍ରୀମିଂ ପ୍ଲାଟଫରମଗୁଡ଼ିକରେ ଏକପକ୍ଷରେ ନୂତନ ଏବଂ ଅପରପକ୍ଷରେ ମୌଳିକ ଚଳଚ଼ିତ୍ର ପ୍ରଦର୍ଶନ ଚଳଚ଼ିତ୍ରପ୍ରେମୀମାନଙ୍କୁ ବିମୋହିତ କରିଛି । ମହାମାରୀ କାଳରେ ସୃଷ୍ଟି ହୋଇଥିବା ଏହି ଅଭ୍ୟାସ ମହାମାରୀ-ପର ଅବସ୍ଥାରେ କେତେଦୂର ଦର୍ଶକଙ୍କ ଚଳଚ଼ିତ୍ର ପ୍ରେକ୍ଷାଳୟ ପରିଦର୍ଶନକୁ ପ୍ରଭାବିତ କରିବ ତାହା ଚର୍ଚ୍ଚାର ବିଷୟ । ବଲିଉଡ଼ର ଚଳଚ଼ିତ୍ରଗୁଡ଼ିକ ଦେଶବ୍ୟାପୀ ପ୍ରେକ୍ଷାଳୟ ପ୍ରଦର୍ଶନକୁ ଲକ୍ଷ୍ୟ ରଖି ସବୁ ବର୍ଗର ଦର୍ଶକଙ୍କ ଋଚିକୁ ସୁହାଇଲା ଭଳି କାହାଣୀ, ଅଭିନେତା ଓ ଉପସ୍ଥାପନ ଆଙ୍ଗିକ ଆପଣାଉଥିବା ସ୍ଥଳେ ଷ୍ଟ୍ରୀମିଂ ପ୍ଲାଟଫରମଗୁଡ଼ିକ ନିମନ୍ତେ ସେଭଳି ବାଧ୍ୟବାଧକତାରୁ ଉର୍ଦ୍ଧ୍ୱରେ ଉଚ୍ଚମାନର ଚଳଚ଼ିତ୍ର ନିର୍ମାଣ ସମ୍ଭବପର ହୋଇପାରୁଛି । ପୁନଶ୍ଚ ଚଳଚ଼ିତ୍ର ଯାଞ୍ଚ ‘ସେନସର ବୋର୍ଡ଼’ର କଟକଣାରୁ ମୁକ୍ତ ପରିବେଶ ମଧ୍ୟ ସର୍ଜନାତ୍ମକ ବାସ୍ତବତା ପ୍ରତିଫଳନ ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି କରିପାରୁଛି ।


 

ସୋସିଆଲ ମିଡ଼ିଆରେ ପରିଚ଼ିତବର୍ଗଙ୍କ ମଧ୍ୟରେ ଚଳଚ଼ିତ୍ର ସମୀକ୍ଷା ମଲଟିପ୍ଳେକ୍ସ ଦର୍ଶକ ଉଚ୍ଚଶିକ୍ଷିତଙ୍କ ମଧ୍ୟରେ ଚଳଚ଼ିତ୍ର ଉପଭୋଗ ଅଭ୍ୟାସକୁ ବ୍ୟାପକ ପ୍ରଭାବିତ କରିବା ବିଶ୍ୱାସ କରାଯାଇପାରେ । ବଲିଉଡ଼ର ନୃତ୍ୟ-ଗୀତ-ଅପରାଧ ଭରା ଧରାବନ୍ଧା ଫର୍ମୂଲା ବଦଳରେ ଉଚ୍ଚବର୍ଗର ଦର୍ଶକ ଷ୍ଟ୍ରୀମିଂ ପ୍ଲାଟଫରମ ଚଳଚ଼ିତ୍ରରେ ସାମାଜିକ ବାସ୍ତବତା ପ୍ରତିଫଳନ ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ମହାମାରୀ କାଳରେ ଅନଲାଇନରେ ଚଳଚ଼ିତ୍ର ଉତ୍ସବମାନ ଆୟୋଜନ କମ୍ପ୍ୟୁଟର, ମୋବାଇଲ ପରଦାରେ ଆନ୍ତର୍ଜାତିକସ୍ତରର ଚଳଚ଼ିତ୍ର ଉପଭୋଗ ନିମନ୍ତେ ଯେଉଁ ସୁଯୋଗ ସୃଷ୍ଟି କରିପାରିଛି ତାହାର ଦୀର୍ଘସ୍ଥାୟୀ ପ୍ରଭାବ ବଳବତ୍ତର ରହିବା ନିଶ୍ଚିତ । ସାମଗ୍ରୀକଭାବେ ଅନଲାଇନରେ ଉପଲବ୍ଧ ଚଳଚ଼ିତ୍ରରେ ବିବିଧତା ଦର୍ଶକୀୟ ଅନୁଭୂତି ପରିବର୍ତ୍ତନରେ ସହାୟକ ହୋଇପାରେ ଏବଂ ସମାଜର ଉଚ୍ଚବର୍ଗଙ୍କ ମହାମାରୀ ସମୟର ଅନଲାଇନରେ ଉପସ୍ଥିତି କ୍ରମଶଃ ଶିକ୍ଷା ଓ ଆର୍ଥିକ ଦିଗରୁ ଅନଗ୍ରସରଙ୍କ ମଧ୍ୟରେ ମହାମାରୀ-ପର ଅବସ୍ଥାରେ ସଂପ୍ରସାରିତ ହେବା ବିଶ୍ୱାସ କରାଯାଇପାରେ ।


 

ମହାମାରୀ କାଳରେ ପ୍ରେକ୍ଷାଳୟ ବନ୍ଦ ରହିଥିବା ହେତୁ ପୂର୍ବରୁ ନିର୍ମିତ ହୋଇ ଶୁଭମୁକ୍ତି ନିମନ୍ତେ ପ୍ରତୀକ୍ଷାରତ କେତେକ ହିନ୍ଦି ଚଳଚ଼ିତ୍ର ଷ୍ଟ୍ରୀମିଂ ପ୍ଳାଟଫର୍ମରେ ପ୍ରଦର୍ଶନ ଧାରା ବଲିଉଡ଼ ଚଳଚ଼ିତ୍ର ଶିଳ୍ପରେ ଏକ ନୂତନ ସମୀକରଣ ସୃଷ୍ଟି କରିଛି । ଅମିତାଭ ବଚ୍ଚନ ଓ ଆୟୁଷ୍ମନ ଖୁରାନା ଅଭିନୀତ ‘ଗୁଲାବୋ ସୀତାବେ’ ଜୁନ ୧୨ ତାରିଖରେ ଆମେଜନ ପ୍ରାଇମ ଭିଡ଼ିଓରେ ଶୁଭମୁକ୍ତି ପରେ ପ୍ରାୟ ଅଧ ଡ଼ଜନେ ବଲିଉଡ଼ ଚଳଚ଼ିତ୍ର ଷ୍ଟ୍ରୀମିଂ ପ୍ଳାଟଫର୍ମରେ ପ୍ରଦର୍ଶନ ନିମନ୍ତେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । କିଛି ତାଲିମ ଓ ତେଲୁଗୁ ଚଳଚ଼ିତ୍ର ମଧ୍ୟ ଏଥିରେ ସାମିଲ ହୋଇଥିଲେ । ‘ଗୁଲାବେ ସୀତାବେ’ର କମେଡ଼ି କାହାଣୀ ଲକ୍ଷ୍ନୌ ସହର ଉପରେ ଆଧାରିତ । ଏହାର କୋଲକତାରେ ଅବସ୍ଥାପିତ ପ୍ରଯୋଜକ କହିଛନ୍ତି ଯେ ମହାମାରୀ ଯୋଗୁଁ ଦେଶ ବିଦେଶର ପ୍ରେକ୍ଷାଳୟ ବନ୍ଦ ରହିଥିବା ସ୍ଥଳେ ୨୦୦ ଗୋଟି ରାଷ୍ଟ୍ରରେ ତାଙ୍କରି ଚଳଚ଼ିତ୍ର ପ୍ରଦର୍ଶନର ସୁବିଧା ଷ୍ଟ୍ରୀମିଂ ପ୍ଳାଟଫର୍ମ ସୃଷ୍ଟି କରିପାରିଛି । ଏଭଳି ସୁଯୋଗ ସଂପର୍କରେ ସେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲେ ।


 

ଚଳଚ଼ିତ୍ର ବିଶାରଦମାନଙ୍କ ଗଣନାରେ ବଲିଉଡ଼ରେ ବାର୍ଷିକ ପ୍ରାୟ ଦୁଇ ହଜାର ଚଳଚ଼ିତ୍ର ନିର୍ମିତ ହୁଏ ଏବଂ ନିର୍ମାଣ କାର୍ଯ୍ୟରେ ୩୨ ଗୋଟି ବିଭାଗରେ ପାଞ୍ଚଲକ୍ଷ କର୍ମଚାରୀ ନିୟୋଜିତ । ମହାମରୀଜନିତ ଅର୍ଥନୀତିକ ଦୁରାବସ୍ଥା ଏବଂ ଚଳଚ଼ିତ୍ର ନିର୍ମାଣ ତଥା ପ୍ରଦର୍ଶନ କ୍ଷେତ୍ରରେ  ବୈଷୟିକ ଓ ଦର୍ଶକୀୟ ଅଭ୍ୟାସ ପରିବର୍ତ୍ତନ ସେମାନଙ୍କ ଜୀବନଜୀବିକାକୁ ପ୍ରଭାବିତ କରିବା ନିଶ୍ଚିତ । ତେବେ ଆଶ୍ୱାସନାର ବିଷୟ ଏହିଯେ ପ୍ରେକ୍ଷାଳୟରୁ ଅନଲାଇନକୁ ବଲିଉଡ଼ର ଚଳଚ଼ିତ୍ର ପ୍ରଦର୍ଶନର ଏକ ବଡ଼ ଅଂଶ ସଂପ୍ରସାରିତ ହେବା ଆଶଙ୍କା କରାଯାଉଥିଲେ ହେଁ ଏହାର ନିର୍ମାଣଭାର ବଲିଉଡ଼ରେ ହିଁ ସଂରକ୍ଷିତ ରହୁଛି । ଅବଶ୍ୟ ମହାମାରୀ-ପର ଅବସ୍ଥାରେ ସମସ୍ତଙ୍କୁ ସୃଜନ ଓ ବୈଷୟିକ କ୍ଷେତ୍ରରେ ପରିବର୍ତ୍ତନ ସାମ୍ନା କରିବା ବିଧେୟ ।          


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୨ ଜୁନ ୨୦୨୦


ତଥ୍ୟ:



Upadhyay, Karishna. Cinema’s long road ahead. The Hindu (Cuttack Edition) May 9, 2020


 

Ray, Kunal. Cinema after COVID-19. The Hindu (Cuttack Edition). May 22, 2020


 

Joshi, Namrata. Lights, Camera, Lockdown. The Hindu (Cuttack Edition). May 31, 2020


 

Ganesan, Ranjita. Screen Adaptation. Business Standard (Bhubaneswar Edition). June 6/7, 2020 

ମହାମାରୀରେ ଓଲିଉଡ଼ ଚଳଚ଼ିତ୍ର ଶିଳ୍ପ

ଏପ୍ରିଲ ଓ ମେ ୨୦୨୦ ଦୁଇ ମାସଧରି ଜନପଦ ବନ୍ଦ ‘ଲକଡ଼ାଉନ’ ଅବଧିରେ ଓଡ଼ିଶାରେ ଚଳଚ଼ିତ୍ର ଓ ଟେଲିଭିଜନ ସୁଟିଂ, ରେକଡ଼ିଂ ତଥା ସିନେମା ପ୍ରେକ୍ଷାଳୟ ବନ୍ଦ ରହିବା କାରଣରୁ ମନୋରଞ୍ଜନ ଶିଳ୍ପର ଆୟ ୨୫ ପ୍ରତିଶତକୁ ଖସି ଆସିଥିବା ଓଡ଼ିଆ ପ୍ରଯୋଜନମାନେ ହିସାବ ଦେଇଥିଲେ ।


 

ମହାମାରୀ-ପୂର୍ବ ଅବସ୍ଥାରେ ଓଡ଼ିଶାରେ କାଗଜ କଲମରେ ୧୪୦ ଗୋଟି ତଥା ପ୍ରକୃତରେ ୯୦ ଗୋଟି ଚଳଚ଼ିତ୍ର ପ୍ରେକ୍ଷାଳୟ ସକ୍ରିୟ ରହିଥିଲା । ମହାମାରୀ ପୂର୍ବବର୍ତ୍ତୀ ଅବସ୍ଥାରେ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକର ୧୯୯୯ ମହାବାତ୍ୟା ଅବସରରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ମହାବାତ୍ୟା ଆଗରୁ ରାଜ୍ୟରେ ୨୩୦ ଗୋଟି ପ୍ରେକ୍ଷାଳୟ ବ୍ୟବସାୟ କରୁଥିବା ସ୍ଥଳେ ମହାବାତ୍ୟାରେ ପ୍ରାୟ ୯୦ ଗୋଟି ଭାଙ୍ଗିରୁଜି ଯିବା ପରେ ମାଲିକମାନେ ଆୟରେ ମାନ୍ଦାବସ୍ଥା ହେତୁ ପୁନଃନିର୍ମାଣରେ ଆଗ୍ରହ ପ୍ରକାଶ କଲେ ନାହିଁ । ଅନେକ ଚଳଚ଼ିତ୍ର ପ୍ରେକ୍ଷାଳୟକୁ ଭାଙ୍ଗି ବିବାହ ମଣ୍ଡପ ବା ସଫିଙ୍ଗମଲ ନିର୍ମାଣ କରାଯିବା ଦେଖିବାକୁ ମିଳିଥିଲା ।


 

ଓଡ଼ିଶାର ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ପାରମ୍ପରିକଭାବେ ହିନ୍ଦି ଚଳଚ଼ିତ୍ର ପ୍ରଦର୍ଶନରୁ ଆୟ କରିଥାନ୍ତି । ବାର୍ଷିକ ପ୍ରାୟ ୩୦ ଗୋଟି ଓଡ଼ିଆ ଚଳଚ଼ିତ୍ର ନିର୍ମିତ ହୋଇଥାଏ । ମହାମାରୀରେ ହିନ୍ଦି ଚଳଚ଼ିତ୍ର ନିର୍ମାଣ ପ୍ରଭାବିତ ହୋଇଥିବା ହେତୁ ବଲିଉଡ଼ ମୁମ୍ୱାଇର ଚଳଚ଼ିତ୍ର ଶିଳ୍ପ ସ୍ୱାଭାବିକ ଧାରାକୁ ନଫେରିବା ଯାଏଁ ଓଡ଼ିଶାର ପ୍ରେକ୍ଷାଳୟଗୁଡ଼ିକ କାର୍ଯ୍ୟକ୍ଷମ ହେବା ସମ୍ଭାବନା କମ । ୧୩ ମାର୍ଚ୍ଚ ୨୦୨୦ରୁ ରାଜ୍ୟର ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ରହିଥିଲା ଏବଂ ମାଲିକମାନଙ୍କ ସାଙ୍ଗକୁ ପ୍ରେକ୍ଷାଳୟଗୁଡ଼ିକରେ ନିଯୁକ୍ତ ପ୍ରାୟ ୧୬୦୦ କର୍ମଚାରୀ ରୋଜଗାର ହରାଇଥିଲେ । ଉତ୍କଳ ସିନେ ଚାମ୍ୱର ଅଫ କମର୍ସର ଆକଳନରେ ରାଜ୍ୟରେ ପ୍ରାୟ ଏକ ହଜାର ଟେକନିସିଅନ, ପ୍ରଯୋଜନା ଓ ବିତରଣ ବ୍ୟବସାୟରେ ସଂପୃକ୍ତ ୮୦୦ କର୍ମଚାରୀ ଏବଂ ଚଳଚ଼ିତ୍ର ଓ ଟେଲିଭିଜନ କଳାକାରଙ୍କୁ ମିଶାଇ ପ୍ରାୟ ପାଞ୍ଚ ହଜାର ଲୋକ ପ୍ରଭାବିତ ହୋଇଥିଲେ ।


 

ଓଡ଼ିଶା ମୋସନ ପିକଚର୍ସ ଟେକନିସିଆନ ୱାର୍କର୍ସ ଏସୋସିଏସନରେ ୭୦୦ ସଭ୍ୟ ପଞ୍ଜୀକୃତ ହୋଇଥିବା ଜଣାଯାଏ । ଟେକନିସିଆନମାନଙ୍କ ସାଙ୍ଗକୁ କଳାକାର ତଥା ଲେଖକ, ଗୀତିକାର, ଗାୟକଙ୍କ ଯାଏଁ ସଭିଏଁ ଚଳଚ଼ିତ୍ର ଓ ଟେଲିଭିଜନ ପାଇଁ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ହେତୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଲେ ତତ୍ କ୍ଷଣାତ ସେମାନଙ୍କ ରୋଜଗାର ବନ୍ଦ ହୋଇଥାଏ ।


 

ମହାମାରୀ-ପୂର୍ବ ଅବସ୍ଥାରେ ଓଡ଼ିଆରେ ସାତଗୋଟି ଚଳଚ଼ିତ୍ରର ନିର୍ମାଣ ସରି ଶୁଭମୁକ୍ତି ନିମନ୍ତେ ଅପେକ୍ଷାରେ ଥିଲା । ତୁମେ ମୋ’ଶଙ୍ଖା ତୁମେ ମୋ’ ସିନ୍ଦୂର, ଶହୀଦ ରଘୁ ସର୍ଦ୍ଦାର, ତୁ ମୋର ନିହାତି ଦରକାର, ଲଭ ଫିଭର, ହୀରାଲାଲ ମୋତିଲାଲ, ଯେତେ ଗୋରି ସେତେ ଷ୍ଟୋରି, ଟିକେ ଲଭ ଟିକେ ଟ୍ୱିଷ୍ଟର ସୁଟିଂ ଓ ପୋଷ୍ଟ ପ୍ରୋଡ଼କସନ କାମ ସରିଥିଲା । ‘ବିଦ୍ୟାରାଣ’ର ସୁଟିଂ ତିନିଗୋଟି ଗୀତ ଚ଼ିତ୍ରାୟନ ପରେ ବନ୍ଦ ରହିଥିଲା । କେତେକ ଆଗଧାଡ଼ିର ଅଭିନେତା ଅଭିନେତ୍ରୀଙ୍କ ଅଭିନୀତ ଚଳଚ଼ିତ୍ର ସୁଟିଂ ଫ୍ଳୋରକୁ ଯିବା ପୂର୍ବରୁ ଅଟକିଥିଲା ।


 

ଦେଶବ୍ୟାପୀ ଅନଲକ ୧.୦ ଅବସରରେ ଜୁନ ପହିଲାରୁ ସ୍ୱାଭାବିକ ଜୀବନଯାତ୍ରା ଆରମ୍ଭ ନିମନ୍ତେ ସୀମିତ କ୍ଷେତ୍ରକୁ କଟକଣାମୁକ୍ତ କରାଯାଇଥିବା ସ୍ଥଳେ ଓଡ଼ିଶାରେ ଜୁନ, ଜୁଲାଇ ମାସରେ ‘କୋଭିଡ଼-୧୯’ ବ୍ୟାପକ ସଂକ୍ରମଣର ପ୍ରାଦୁର୍ଭାବ ଆଶଙ୍କା କରାଯାଇ ଜୁନ ୩୦ ଯାଏଁ ଏଗାରଗୋଟି ଜିଲ୍ଲାରେ ସଟଡ଼ାଉନ ବଳବତ୍ତର ରହିଥିଲା । ଏହି ପରିପ୍ରେକ୍ଷୀରେ ଓଲିଉଡ଼ର କାର୍ଯ୍ୟପରିସର ଭୁବନେଶ୍ୱର, କଟକ ଓ ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଚଳଚ଼ିତ୍ର ନିର୍ମାଣ କାମ ସୁରୁଖୁରରେ ଆରମ୍ଭ ହୋଇପାରି ନଥିଲା ।


 

ଲକ୍ଡ଼ାଉନରେ ପ୍ରେକ୍ଷାଳୟଗୁଡ଼ିକରେ ଚଳଚ଼ିତ୍ର ପ୍ରଦର୍ଶନ ବନ୍ଦ ରହିଥିଲେହେଁ ଟେଲିଭିଜନ ସିରିଆଲ ପ୍ରଦର୍ଶନ ଚାଲୁ ରହିଥିବା ଏବଂ ଅପେକ୍ଷାକୃତଭାବେ ଆଦର ବଢ଼ିଥିବା ହେତୁ ସିରିଆଲ ନିର୍ମାଣ କାମ ପ୍ରାଥମିକତା ଦାବୀ କରିଥିଲା । ସପ୍ତାହରେ ପାଞ୍ଚଦିନ କଟକଣାଯୁକ୍ତ ସ୍ୱାଭାବିକ ଜୀବନଯାତ୍ରା ନିୟମାବଳୀକୁ ମାନି ସୀମିତ ମାତ୍ରାରେ ଟେଲିଭିଜନ ସିରିଆଲ ସୁଟିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।


 

ପ୍ରେକ୍ଷାଳୟଗୁଡ଼ିକ ଆରମ୍ଭ ହେବା ତଥା ବଲିଉଡ଼ରେ ନୂଆ ଚଳଚ଼ିତ୍ର ରିଲିଜ ସହ ଓଡ଼ିଆ ଚଳଚ଼ିତ୍ର ପ୍ରଦର୍ଶନ ନିର୍ଭରଶୀଳ ରହିଥିବା ହେତୁ ନୂଆ ଓଡ଼ିଆ ଚଳଚ଼ିତ୍ର ସୁଟିଂ ଆରମ୍ଭ ପାଇଁ ବ୍ୟଗ୍ରତା ପ୍ରକାଶନ ନପାଇବା ସ୍ୱାଭାବିକ । ପ୍ରଯୋଜକମାନେ ନିର୍ମାଣରେ ଅର୍ଥ ବ୍ୟୟ କଲେ ତାହା କେବେ ଫେରିପାଇବେ ଅନିଶ୍ଚିତତା ଘେରରେ ରହିଲେ ବିନିଯୋଗ ଅଟକି ରହିବା ଭୟ ରହିଥାଏ । ଓଡ଼ିଆ ଚଳଚ଼ିତ୍ର ନିର୍ମାଣ କ୍ଷେତ୍ରରେ ସଂଖ୍ୟା ନ୍ୟୂନ ନିୟମିତ ପ୍ରଯୋଜକ ଓ ନିବେଶ ଅଭାବରୁ ତନାଘନା ଦେଖା ଯାଇନଥିଲା ।


 

ମହାମାରୀର ପ୍ରାଦୁର୍ଭାବ କେତେ ଦିନ ଯାଏଁ ବଳବତ୍ତର ରହିବ ଏବଂ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ କେତେ କାଳ ବନ୍ଦ ରଖାଯିବ ସେ ସଂପର୍କରେ କୌଣସି ସଠିକ ଆକଳନ କରାଯାଇପାରିନଥିଲା । ସେହିପରି ପ୍ରେକ୍ଷାଳୟଗୁଡ଼ିକ ଖୋଲିଲେ ସୁଦ୍ଧା ସଂକ୍ରମଣ ଭୟରେ ଦର୍ଶକମାନେ କେତେ ସଂଖ୍ୟାରେ ଆସିବେ ସେ ସଂପର୍କରେ ମଧ୍ୟ ସନ୍ଦେହ ଉପୁଜିଥିଲା । ବଡ଼ ସହରରେ ନବନିର୍ମିତ ମଲଟିପ୍ଳେକ୍ସଗୁଡ଼ିକ ଖୋଲିବା ନିମନ୍ତେ ତତ୍ପରତା ପ୍ରକାଶ କରୁଥିଲେ ହେଁ ଗ୍ରାମାଞ୍ଚଳରେ ଏକକ ରୂପେଲୀ ପରଦା ବିଶିଷ୍ଟ ପ୍ରେକ୍ଷାଳୟଗୁଡ଼ିକ ଉଦାସୀନ ରହିଥିଲେ । ମହାମାରୀ-ପୂର୍ବ ଅବସ୍ଥାରୁ ଗ୍ରାମାଞ୍ଚଳ ପ୍ରେକ୍ଷାଳୟଗୁଡ଼ିକର ବ୍ୟବସାୟ ମାନ୍ଦା ପଡ଼ିଯାଇଥିବା ସ୍ଥଳେ ମହାମାରୀ ପାଇଁ ଦୀର୍ଘକାଳ ବନ୍ଦ ରହି ଖୋଲିଲାପରେ ବ୍ୟବସାୟରେ ବେଗ ଧରିବା ପାଇଁ କେତେ ସମୟ ନେବ ତାହାର ଆକଳନ ମୁସ୍କିଲ ହୋଇପଡ଼ିଥିଲା ।


 

ବଲିଉଡ଼ ହିନ୍ଦି ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନର ମୁଖ୍ୟ ପ୍ରତିଦ୍ୱନ୍ଦୀଭାବେ ଓଭର-ଦି-ଟପ ‘ଓଟିଟି’ ଷ୍ଟ୍ରୀମିଂ ପ୍ଲାଟଫରମ ମୁଣ୍ଡ ଟେକୁଥିବା ସ୍ଥଳେ ଓଡ଼ିଆ ଚଳଚ଼ିତ୍ର କ୍ଷେତ୍ରରେ ପ୍ରଭାବ ଅବଶ୍ୟମ୍ଭାବୀ । ଏକଥା ସତ ଯେ ଓଟିଟି ପ୍ଲାଟଫରମରେ ଓଡ଼ିଆ ଭାଷାରେ ପ୍ରସ୍ତୁତ କାର୍ଯ୍ୟକ୍ରମ ହିନ୍ଦି ଭଳି ଶକ୍ତିଶାଳୀ ହୋଇପାରିବ ନାହିଁ । କାରଣ କମ ଓଡ଼ିଆ ଭାଷାଭାଷୀ ଦର୍ଶକ ଓ ଅତି ଅଳ୍ପ ଗ୍ରାହକ ଚାନ୍ଦା ଆଶା କରାଯାଉଥିବା ହେତୁ ଏଠାରେ ହିନ୍ଦି ଭଳି ଅର୍ଥ ବ୍ୟୟ ସମ୍ଭବପର ହେବ ନାହିଁ । ତେବେ ଓଟିଟି ପ୍ଲାଟଫରମରେ ଓଡ଼ିଆ କାର୍ଯ୍ୟକ୍ରମ ଓଡ଼ିଆ ଚଳଚ଼ିତ୍ର ପାଇଁ ବିପଦ ସୃଷ୍ଟି କରିବା ବର୍ତ୍ତମାନ କାହିଁକି ଦୀର୍ଘ ଭବିଷ୍ୟତରେ ମଧ୍ୟ ଆଶା କରାଯାଇ ନପାରେ ବୋଲି ବିଚାର କରିବା ଭ୍ରମାନ୍ତକ ।


 

ଓଡ଼ିଶାର କ୍ରମବର୍ଦ୍ଧିଷ୍ଣୁ ଇଣ୍ଟରନେଟ ଉପଭୋକ୍ତା ଯଦି ହିନ୍ଦି କାର୍ଯ୍ୟକ୍ରମ ପାଇଁ ଓଟିପି ମୁହାଁ ହେବେ ଏବଂ ଚଳଚ଼ିତ୍ର ପ୍ରେକ୍ଷାଳୟରୁ ଦୂରେଇ ଯିବେ, ତେବେ ମୁଖ୍ୟତଃ ଓଡ଼ିଆ ଚଳଚ଼ିତ୍ରକୁ ନିର୍ଭର କରି ଓଡ଼ିଶାର ପ୍ରେକ୍ଷାଳୟ ବ୍ୟବସାୟ ତିଷ୍ଠିବା ସଂଭବପର କି ? ତେଣୁ ଓଟିଟି ପ୍ଲାଟଫରମ ଓଡ଼ିଆ ଚଳଚ଼ିତ୍ରକୁ ସିଧାସଳଖ ନହେଲେ ବି ପରୋକ୍ଷରେ କ୍ଷତି ସାଧନ ଆଶଙ୍କାକୁ ଟାଳି ହେବ ନାହିଁ । ଓଡ଼ିଆ ଚଳଚ଼ିତ୍ରର ଓଟିଟି ପ୍ଲାଟଫରମକୁ ସ୍ଥାନାନ୍ତିକରଣ ଏକରକମ ବାଧ୍ୟବାଧକତାରେ ପରିଣତ ହେବା ସୁନିଶ୍ଚିତ ।


 

ଗଣମାଧ୍ୟମ ବିଶେଷଜ୍ଞମାନେ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକରେ ଭାରତରେ ମୋବାଇଲ, ଭିଡ଼ିଓ ଓ ଆଞ୍ଚଳିକ ଭାଷାର ଅଧିପତ୍ୟର ପୂର୍ବାନୁମାନ କରୁଥିବା ସ୍ଥଳେ ଓଲିଉଡ଼ରେ ଚଳଚ଼ିତ୍ର ପ୍ରେକ୍ଷାଳୟ ପରିବର୍ତ୍ତେ ଓଟିଟି ପ୍ଲାଟଫରମ ପାଇଁ ପ୍ରସ୍ତୁତ ହେଲେ ଓଡ଼ିଆ ଚଳଚ଼ିତ୍ରର ନିର୍ମାଣ ଧାରାରେ ବ୍ୟାପକ ପରିବର୍ତ୍ତନ ଆଶା କରାଯାଇପାରେ । ମହାମାରୀ-ପର ପରିବେଶ ଓଡ଼ିଆ ଚଳଚ଼ିତ୍ରକୁ ସଂକଟ ମଧ୍ୟକୁ ଠେଲିଦେବା ବଦଳରେ ବିକଳ୍ପ ଦ୍ୱାର ଉନ୍ମୋଚନ କରିବା ଅବକାଶ ସୃଷ୍ଟି ସଂଭବପର ।


 

ବୈଷୟିକ କାରିଗରୀ କୌଶଳରେ ଅଗ୍ରଗତି ହେତୁ ଚଳଚ଼ିତ୍ର ପ୍ରଦର୍ଶନ ମଞ୍ଚ ପରିବର୍ତ୍ତନ ଭଳି ନିର୍ମାଣ କ୍ଷେତ୍ରରେ ମଧ୍ୟ ଯୁଗାନ୍ତକାରୀ ପରିବର୍ତ୍ତନ ସଂଘଟିତ ହୋଇପାରିଛି । ଡ଼ିଜିଟାଲ ମାଧ୍ୟମରେ ଚିତ୍ରଗ୍ରହଣ, ସମ୍ପାଦନା ଓ ପ୍ରଦର୍ଶନର ସୁବିଧା ସୁଯୋଗ ସୃଷ୍ଟି ପରେ ବିପୁଳ ଅର୍ଥବ୍ୟୟରେ ଚଳଚ଼ିତ୍ର ନିର୍ମାଣ ସାମଗ୍ରୀ ବ୍ୟବହାର ବଦଳରେ ଛୋଟ ସାଜସରଞ୍ଜାମ ଏପରିକି ମୋବାଇଲ ଫୋନ ଯୋଗେ ଚ଼ିତ୍ରଗ୍ରହଣ ଓ ଭର୍ଚୁଆଲ ଏଡ଼ିଟିଂ ସୁଟରେ ସମ୍ପାଦନା କରାଯାଇପାରୁଛି । ମହାମାରୀ-ପର ଅବସ୍ଥାରେ କମ ବଜେଟରେ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ବଳିଷ୍ଠ କାହାଣୀ ପୃଷ୍ଠଭୂମିରେ କମ ଅଭିନେତା, ବିନା ଆଡ଼ମ୍ୱରପୂର୍ଣ୍ଣ ଦୃଶ୍ୟ ରଚନାରେ ଉଚ୍ଚକୋଟୀର ଚଳଚ଼ିତ୍ର ନିର୍ମାଣ ତଥା ପ୍ରଦର୍ଶନ ନିମନ୍ତେ ସୁଯୋଗ ସୃଷ୍ଟିର ସଂଭାବନା ସୁସ୍ପଷ୍ଟ । ସମସାମୟିକ ପଡ଼ୋଶୀ ବଙ୍ଗଳା, ଆସାମୀ ଚଳଚ଼ିତ୍ର ଏହାର ପ୍ରକୃଷ୍ଟ ଉଦାହରଣ ।


 

ଡ଼ିଜିଟାଲ ମଞ୍ଚରେ ପ୍ରଦର୍ଶନ ନିମନ୍ତେ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ ଲାଗି କମ ବଜେଟର ବାଧ୍ୟବାଧକତା ତାହାକୁ ସର୍ଜନଶୀଳ କରିବ ବୋଲି ଆଶା କରାଯାଇପାରେ । ପ୍ରଚଳିତ ପ୍ରଯୋଜନା ମଡ଼େଲର ବିକଳ୍ପ ଭାବେ ରୁଚ଼ି ସମ୍ପନ୍ନ ଗୁଣଗ୍ରାଣୀ ପ୍ରଯୋଜକ, ସାମୂହିକ ପାଣ୍ଠି ସଂଗ୍ରହ ‘କ୍ରାଉଡ଼ ସୋର୍ସିଂ’, ବଦାନ୍ୟତା ‘ଫିଲନ୍ଥ୍ରୋପି’ ବଳରେ ଚଳଚ଼ିତ୍ରର ନିର୍ମାଣ ଖର୍ଚ୍ଚ ଭରଣା ହୋଇପାରିଲେ ଓଡ଼ିଆ ଚଳଚ଼ିତ୍ରଲାଗି ଭଲ କାହାଣୀ, ଉଚ୍ଚକୋଟୀର ଅଭିନେତା, ବଳିଷ୍ଠ ନିର୍ଦ୍ଦେଶକଙ୍କ ଅଭ୍ୟୁଦୟ ସମ୍ଭବପର ।


 

କୁହାଯାଉଛି ବଲିଉଡ଼ରେ ମହାମାରୀ-ପର ଅବସ୍ଥାରେ କେବଳ ବୃହତ ଚଳଚ଼ିତ୍ରଗୁଡ଼ିକ ମଲଟିପ୍ଲେକ୍ସ ଭଳି ପ୍ରେକ୍ଷାଳୟଗୁଡ଼ିକରେ ପ୍ରଦର୍ଶନ ଉପଯୋଗୀ ହେବା ସ୍ଥଳେ ମଧ୍ୟମ ଓ କ୍ଷୁଦ୍ର ବର୍ଗର ଚଳଚ଼ିତ୍ର ଓଟିଟି ଷ୍ଟ୍ରୀମିଂ ପ୍ଲାଟଫରମରେ ପ୍ରଦର୍ଶିତ ହେବ । ବଲିଉଡ଼ର ଧାରା ଓଲିଉଡ଼ରେ ପ୍ରତିବିମ୍ୱିତ ହେବା ଯୁକ୍ତିଯୁକ୍ତ । ତେଣୁ ଓଡ଼ିଆରେ ମଧ୍ୟ ଖୁବ କମ ସଂଖ୍ୟକ ପ୍ରେକ୍ଷାଳୟ ପ୍ରଦର୍ଶନ ଲାଗି ବୃହତ ଏବଂ ଡ଼ିଜିଟାଲ ମଞ୍ଚ ଲାଗି ସଂଖ୍ୟାଧିକ ମଧ୍ୟମ ତଥା କଳାତ୍ମକ କ୍ଷୁଦ୍ର ବଜେଟର ଚଳଚ଼ିତ୍ର ନିର୍ମାଣ ଧାରା ପ୍ରବର୍ତ୍ତିତ ହୋଇପାରେ । ଏକବିଂଶ ଶତାଦ୍ଦୀରେ ପରିବର୍ତ୍ତନର ସ୍ରୋତ ପ୍ରଖର ଏବଂ ମହାମାରୀ-ପର ଅବସ୍ଥାରେ ଅତି ପ୍ରଖର ହେବା ସୁନିଶ୍ଚିତ । ଅତଏବ ମହାମାରୀରେ ଓଲିଉଡ଼ ଚଳଚ଼ିତ୍ର ଶିଳ୍ପର ସ୍ୱରୂପ ବଦଳିବା ଆଶା କରିବା ଅସମଚୀନ ନୁହେଁ ।


 

ମହାମାରୀରେ ସୃଷ୍ଟ ସଙ୍କଟକୁ ସୁଯୋଗରେ ପରିଣତ କରିବାଲାଗି ବିଭିନ୍ନ କ୍ଷେତ୍ରରେ ପୂର୍ବପ୍ରସ୍ତୁତି ଆବଶ୍ୟକ । ଓଟିଟି ପ୍ଲାଟଫରମଲାଗି ବହୁ ସଂଖ୍ୟାରେ ଓଡ଼ିଆ ଚଳଚ଼ିତ୍ର ନିର୍ମିତ ହୋଇପାରିଲେ ତାହା ଏକ ପକ୍ଷରେ ସ୍ଥାନୀୟ ଚଳଚ଼ିତ୍ର ଶିଳ୍ପକୁ ବଞ୍ଚାଇବା ସଙ୍ଗେ ଅପର ପକ୍ଷରେ ଆଞ୍ଚଳିକ ସାଂସ୍କୃତିକ ବିକାଶରେ ସହାୟକ ହୋଇପାରିବ । ରାଜ୍ୟ ସରକାରଙ୍କ ପରିଚାଳନାଧୀନ ଚଳଚ଼ିତ୍ର ବିକାଶ ନିଗମ ଓଟିଟି ପ୍ଲାଟଫରମ ଉପଯୋଗୀ କମ ବଜେଟର ଗୁଣାତ୍ମକ ଚଳଚ଼ିତ୍ରକୁ ପ୍ରୋତ୍ସାହିତ କରିବା ନିମନ୍ତେ ପରିବର୍ତ୍ତିତ ନୀତି ନିର୍ଦ୍ଧାରଣ କରିପାରନ୍ତି । ଗୁଣାତ୍ମକ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ଯୁବ ପ୍ରତିଭାମାନଙ୍କୁ ଏକତ୍ରୀତ କରି ଆଲୋଚନାଚକ୍ର, କର୍ମଶାଳା, ଚଳଚ଼ିତ୍ର ଉତ୍ସବ ଆୟୋଜନଠାରୁ ଆରମ୍ଭ କରି ଦେଢ଼ରୁ ଦୁଇ ଘଣ୍ଟାର ପୂର୍ଣ୍ଣାଙ୍ଗ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ସୀମିତ ମାତ୍ରାରେ ଦଶ ଲକ୍ଷ ଟଙ୍କା ଯାଏଁ ସବସିଡ଼ିର ବ୍ୟବସ୍ଥା ପ୍ରଚଳନ ସଂପର୍କରେ ବିଚାରବିମର୍ଷ କରାଯାଇପାରେ । ବସ୍ତୁତଃ ଚଳଚ଼ିତ୍ର ପରିବର୍ତ୍ତନର ବାହକ ହୋଇଥିବା ସ୍ଥଳେ ପରିବର୍ତ୍ତନର ସ୍ରୋତରେ ଚଳଚ଼ିତ୍ର ନିଜ ଅସ୍ତିତ୍ୱ ବଜାୟ ରଖିବା ସମ୍ଭାବନା ଉଜ୍ଜଳ ।           


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୨୦


ତଥ୍ୟ:



ସିନେମା ହଲ ଅନ୍ଧାର : କରୋନା ବୁଡ଼ାଇବ ୧୦୦ କୋଟିର କାରବାର । ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) । ଏପ୍ରିଲ ୨୧, ୨୦୨୦


 

“ଆମକୁ ନୂଆ ରାସ୍ତା ଖୋଜିବାକୁ ହେବ” – ସୀତାରାମ ଅଗ୍ରୱାଲଙ୍କ ସହ ମାନସ ପଣ୍ଡାଙ୍କ ସାକ୍ଷାତକାର । ପ୍ରମେୟ (ବ୍ରହ୍ମପୁର ସଂସ୍କରଣ) । ଜୁନ ୪, ୨୦୨୦


 

ସୁଟିଂ ଫ୍ଳୋରକୁ ଏବେ ଫେରି ପାରିବନି ଓଲିଉଡ଼ି । ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) । ମେ ୧୧, ୨୦୨୦


 

୫୦% ଦର୍ଶକରେ ସିନେମା ହଲ ଖୋଲୁ । ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) । ଜୁନ ୧୪, ୨୦୨୦

ମହାମାରୀର ତୃତୀୟ ତରଙ୍ଗରେ ଚଳଚ଼ିତ୍ର ଶିଳ୍ପ

ବିଶ୍ୱବ୍ୟାପୀ ‘କୋଭିଡ଼-୧୯’ ମହାମାରୀଜନିତ ପ୍ରତିଷେଧାତ୍ମକ ସାମାଜିକ ବ୍ୟବସ୍ଥାରେ କ୍ଷତିଗ୍ରସ୍ତ ଶିଳ୍ପ ସମୂହରେ ଚଳଚ଼ିତ୍ର ଶିଳ୍ପ ପ୍ରମୁଖ ସ୍ଥାନ ଅଧିକାର କରେ । ଭାରତରେ ମହାମାରୀର ପ୍ରଥମ ଦୁଇ ତରଙ୍ଗରେ ଦୀର୍ଘ ଦିନ ଧରି ପ୍ରେକ୍ଷାଳୟଗୁଡ଼ିକରେ ଚଳଚ଼ିତ୍ର ପ୍ରଦର୍ଶନ ବନ୍ଦ ରହିଥିବା କାରଣରୁ ଚଳଚ଼ିତ୍ର ନିର୍ମାଣ, ବିତରଣ, ପ୍ରଦର୍ଶନ ଓ ପ୍ରଚାର ସମସ୍ତ କ୍ଷେତ୍ରରେ ଆର୍ଥିକ ଶୃଙ୍ଖଳ ଦୋହଲି ଯାଇଥିଲା । ସଂକ୍ରମଣ ହ୍ରାସ ପରିପେକ୍ଷୀରେ ପ୍ରଥମ ଓ ଦ୍ୱିତୀୟ ତରଙ୍ଗ ପରବର୍ତ୍ତୀ ଅବସ୍ଥାରେ କିଛି ଦିନ ପ୍ରେକ୍ଷାଳୟରେ ଅର୍ଦ୍ଧେକ ଓ କିଛି ଦିନ ପୂର୍ଣ୍ଣ ଦର୍ଶକଙ୍କୁ ନେଇ ପ୍ରଦର୍ଶନ ଅନୁମତି ଫଳରେ ଚଳଚ଼ିତ୍ର ଶିଳ୍ପ ଅଣ୍ଟା ସଳଖିବାକୁ ଚେଷ୍ଟା କରିଥିଲା ।


 

ତେବେ ୨୦୨୨ ଜାନୁୟାରୀରୁ ତୃତୀୟ ତରଙ୍ଗ ସଂକ୍ରମଣ ହେତୁ ବିଭିନ୍ନ ରାଜ୍ୟରେ ଚଳଚିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନରେ ପୁଣି କଟକଣା ଜାରୀ ହୋଇଥିବା ତଥା ଅନ୍ତତଃ ପକ୍ଷେ ମାର୍ଚ୍ଚ ମାସ ଯାଏଁ ସଂକ୍ରମଣ ବଳବତ୍ତର ରହିବା ଆକଳନ କରାଯାଉଥିବା ହେତୁ ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ଆର୍ଥିକ ପୁନଋଦ୍ଧାର ପ୍ରକ୍ରିୟା ପୁନର୍ବାର ପ୍ରତିହତ ହୋଇଛି । କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଅଭିଯାନରେ ଚଳଚ଼ିତ୍ର ପ୍ରେକ୍ଷାଳୟ ସମେତ ବିଭିନ୍ନ ସାର୍ବଜନୀନ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଦର୍ଶନରେ ପ୍ରଥମେ ନିଷେଧାଜ୍ଞା ଜାରି ହେଉଥିବା ସ୍ଥଳେ ସର୍ବଶେଷରେ ଉଠିଥାଏ ।


 

ବ୍ୟାବସାୟିକ ମାନାଙ୍କ ‘ବିଜିନେସ ରେଟିଂ’ ସଂଗଠନ ‘କ୍ରିସିଲ’ ପକ୍ଷରୁ ୨୦୨୨ ଜାନୁୟାରୀ ପ୍ରଥମ ସପ୍ତାହରେ ପ୍ରକାଶିତ ଏକ ବିବରଣୀରେ ଭାରତୀୟ ଚଳଚ଼ିତ୍ର ଶିଳ୍ପ ମୁଖ୍ୟତଃ ମଲଟିପ୍ଳେକ୍ସଗୁଡ଼ିକର ଆୟ ବାଧାପ୍ରାପ୍ତ ହେବା ଏବଂ ଏହି ପରିସ୍ଥିତି ତିନିରୁ ପାଞ୍ଚ ମାସ ଯାଏଁ ବଳବତ୍ତର ରହିବା ଅନୁମାନ କରାଯାଇଛି । ପୂର୍ବରୁ ମହାମାରୀର ପ୍ରଥମ ଦୁଇ ତରଙ୍ଗଜନିତ କ୍ଷତି ୨୦୨୨ ପ୍ରଥମ ତ୍ରୟମାସରେ କେତେକାଂଶରେ ଭରଣା ଆଶା କରାଯାଉଥିବା ସ୍ଥଳେ ତୃତୀୟ ତରଙ୍ଗ ଉପସ୍ଥିତିରେ ବାଧାପ୍ରାପ୍ତ ହୋଇଛି ।


 

‘କ୍ରିସଲ’ ପକ୍ଷରୁ କୁହାଯାଇଛି ଯେ ‘ତ୍ରିପଲ ଆର’, ‘ଜର୍ସି’ ଭଳି ବଲିଉଡ଼ର ବଡ଼ ବଜେଟର କେତେକ ଚଳଚ଼ିତ୍ର ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଥିବା ସ୍ଥଳେ ରିଲିଜ ପାଇଁ ପ୍ରସ୍ତୁତ ଅନ୍ୟ ଚଳଚ଼ିତ୍ରଗୁଡ଼ିକ ମଧ୍ୟ ପଦାଙ୍କ ଅନୁସରଣ କରିବେ । ଯଦି ରାଷ୍ଟ୍ରୀୟସ୍ତରରେ ୨୦୨୨ ମାର୍ଚ୍ଚ ସୁଦ୍ଧା ସଂକ୍ରମଣ ହାର କମିଆସେ, ତେବେ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନରେ ସ୍ୱାଭାବିକ ଅବସ୍ଥା ଫେରିବାକୁ କିଛି ସମୟ ଲାଗିଯିବ । ମାଲଟିପ୍ଳେକ୍ସଗୁଡ଼ିକ ନିଜର କ୍ଷୟକ୍ଷତି ଭରଣା କରିବା ନିମନ୍ତେ ୨୦୨୨-୨୩ ଆର୍ଥିକ ବର୍ଷର ଶେଷାର୍ଦ୍ଧ ଯାଏଁ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି ।


 

ଓଡ଼ିଶାରେ ମଲଟିପ୍ଳେକ୍ସ ବା ଏକାଧିକ-ରୂପେଲି-ପରଦା-ପ୍ରେକ୍ଷାଳୟ ସଂଖ୍ୟା କମ । ଅଧିକାଂଶ ଏକକ ରୂପେଲି ପରଦା ବିଶିଷ୍ଟ ଏବଂ ସୀମିତ ଆର୍ଥିକ ନିବେଶରେ ପରିଚାଳିତ । ବିଂଶ ଶତାଦ୍ଦୀ ଶେଷ ୧୯୯୯ ମହାବାତ୍ୟା ପୂର୍ବରୁ ରାଜ୍ୟରେ ୨୦୦ ଯାଏଁ ପ୍ରେକ୍ଷାଳୟ କାର୍ଯ୍ୟକ୍ଷମଥିଲା । ଗ୍ରାମାଞ୍ଚଳରେ ଟେଲିଭିଜନ ପ୍ରସାରଣ ସେବା ଉପଲବ୍ଧ ହେବା ପରେ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ପ୍ରଭାବିତ ହୋଇଥିଲା । କିନ୍ତୁ ମହାବାତ୍ୟାରେ ବହୁ ପ୍ରେକ୍ଷାଳୟ ଭାଙ୍ଗିରୁଜି ଯିବା ହେତୁ ଚଳଚ଼ିତ୍ର ପ୍ରଦର୍ଶନଭଳି ଦୁର୍ବଳ ବ୍ୟବସାୟରେ ଅଧିକ ନିବେଶ କରିବା ନିମନ୍ତେ ମାଲିକମାନେ ଆଗ୍ରହ ପ୍ରକାଶ କଲେନାହିଁ । ମହାବାତ୍ୟା ପର ଅବସ୍ଥାରେ ପ୍ରାୟ ଅର୍ଦ୍ଧେକ ପ୍ରେକ୍ଷାଳୟ ବନ୍ଦ ହୋଇଯାଇଥିଲା ।


 

ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ରାଜ୍ୟରେ ଏକ ଶହ ପାଖାପାଖି ଚଳଚ଼ିତ୍ର ପ୍ରେକ୍ଷାଳୟ କାର୍ଯ୍ୟକ୍ଷମ ରହିଥିଲା । ତେବେ ଦ୍ୱିତୀୟ ଦଶକ ମଧ୍ୟଭାଗରୁ ଇଣ୍ଟରନେଟ ବ୍ୟାପ୍ତି, ୪ଜି କାରିଗରୀ କୌଶଳ ଉପଯୋଗ ଓ ସ୍ମାର୍ଟଫୋନ ବ୍ୟବହାର ଫଳରେ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ଦର୍ଶକଙ୍କ ଚଳଚ଼ିତ୍ର ଉପଭୋଗ ଆଚ଼ରଣରେ ବ୍ୟାପକ ପରିବର୍ତ୍ତନ ସୂତ୍ରପାତ ହୋଇଥିଲା । ଏହି କାରଣରୁ ସର୍ବୋତଭାବେ ପ୍ରେକ୍ଷାଳୟ ପ୍ରଦର୍ଶନ ଉପରେ ନିର୍ଭରଶୀଳ ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ଦୁର୍ବଳ ହୋଇପଡ଼ିଥିଲା ।


 

ମହାମାରୀରେ ଦୀର୍ଘକାଳ ଧରି ଚଳଚ଼ିତ୍ର ପ୍ରେକ୍ଷାଳୟ ବନ୍ଦ ରହିବା ହେତୁ ଦୁଇ ଦଶକପରେ ରାଜ୍ୟର ଚଳଚ଼ିତ୍ର ପ୍ରେକ୍ଷାଳୟ ଶିଳ୍ପ ପୁନର୍ବାର ଜୀବନ-ମରଣ ସମସ୍ୟାର ସମ୍ମୁଖୀନ ହେଲା । କୁହାଯାଉଛି ଯେ ରାଜ୍ୟରେ ଚଳଚ଼ିତ୍ର ପ୍ରେକ୍ଷାଳୟ ସଂଖ୍ୟା ୨୦୨୨ ଆରମ୍ଭ ସୁଦ୍ଧା ୫୦ ରୁ ୬୦କୁ ହ୍ରାସ ପାଇଛି । ସେହିପରି ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଡିଜିଟାଲ ରୂପାନ୍ତରପରେ ଚଳଚ଼ିତ୍ର ବିତରକଙ୍କ ସଂଖ୍ୟା ଶହେରୁ ପାଞ୍ଚରୁ କମ ସଂଖ୍ୟାକୁ କମି ଆସିଛି ।


 

ମହାମାରୀଜନିତ ଅନିଶ୍ଚିତତା, ଓଡ଼ିଆ ଦର୍ଶକଙ୍କ ଆଚ଼ରଣରେ ପରିବର୍ତ୍ତନ ଏବଂ ଅତି ଅଳ୍ପ ସଂଖ୍ୟକ ଚଳଚ଼ିତ୍ର ପ୍ରେକ୍ଷାଳୟକୁ ବିଚାରକୁ ନେଇ ମହାମାରୀ ପୂର୍ବରୁ ଚଳଚ଼ିତ୍ର ନିର୍ମାଣଲାଗି ଅଣ୍ଟାଭିଡ଼ିଥିବା ବହୁ ପ୍ରଯୋଜକ ନିଜ ଯୋଜନାକୁ ଏକେତ ବନ୍ଦ କରିଦେଇଛନ୍ତି କିମ୍ୱା ଦୀର୍ଘଦିନ ଯାଏଁ ବନ୍ଦ ରଖିଛନ୍ତି । ନିଜର ସାଟେଲାଇଟ ଟେଲିଭିଜନ ଚ୍ୟାନେଲ ଚଳାଉଥିବା ଦୁଇ ତିନିଗୋଟି ଗଣମାଧ୍ୟମ ସଂସ୍ଥା ଓଡ଼ିଆ ଚଳଚ଼ିତ୍ର ନିର୍ମାଣକରି ପ୍ରେକ୍ଷାଳୟ ତଥା ନିଜ ଚ୍ୟାନେଲରେ ପ୍ରଦର୍ଶନରେ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ ନାମକୁ ମାତ୍ର ଜୀବିତ ରଖିଛନ୍ତି । ଓଡ଼ିଆରେ ଓଟିଟି ମଞ୍ଚ ବିକଶିତ ହୋଇନଥିବା ହେତୁ ୱେବସିରିଜ ମଧ୍ୟ ଉଧାଇପାରୁ ନାହିଁ ।


 

ଏହି ପ୍ରେକ୍ଷାପଟରେ ୨୦୨୨ ଆରମ୍ଭ ବେଳକୁ ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ସହ ସଂପୃକ୍ତ ପ୍ରଯୋଜକ ଓ ପ୍ରେକ୍ଷାଳୟ ମାଲିକମାନେ ବିକଳ୍ପ ବ୍ୟବସାୟରେ ମନୋନିବେଶ କରିଥିବା ସ୍ଥଳେ ବୈଷୟିକ କର୍ମୀ ଟେକନିସିଆନମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ବାଧ୍ୟବାଧକତାରେ ଉନ୍ମେଷମୁଖୀ ଭିଡ଼ିଓ ଓ ଅଡ଼ିଓ ଶିଳ୍ପରେ ସାମିଲ ହେବେ ସତ, ତେବେ ଓଡ଼ିଆରେ ଡିଜିଟାଲ ମାର୍କେଟିଂ ଶିଳ୍ପ ପୂର୍ଣ୍ଣ ବିକଶିତ ନହୋଇଥିବା ହେତୁ ମଧ୍ୟବର୍ତ୍ତୀ ‘ଟ୍ରାନଜିଟରି’ ଅବସ୍ଥାରେ ଆର୍ଥିକ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ନିଶ୍ଚିତ ।


 

ଓଡ଼ିଶାରେ ଇଣ୍ଟରନେଟ ସଂଯୋଗ, ସ୍ମାର୍ଟଫୋନ ବ୍ୟବହାର ଓ ସୋସିଆଲ ମିଡ଼ିଆ ଲୋକପ୍ରିୟତା ବୃଦ୍ଧିରେ ଗଣମାଧ୍ୟମ ୨୦୨୨ ମସିହାରେ ଏକ ନିର୍ଣ୍ଣାୟକ ମୋଡ଼ ନେବା ଆଶା କରାଯାଏ । ପ୍ରଥମତଃ, ଓଡ଼ିଆ ଚଳଚ଼ିତ୍ର ଶିଳ୍ପର ସୃଜନ ପ୍ରତିଭା ସୋସିଆଲ ମିଡ଼ିଆରେ ପହଞ୍ଚୁଥିବା ସଙ୍ଗେ ଦ୍ୱିତୀୟତଃ, ଫେବୃୟାରୀମାସରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଆୟୋଜନ ଏବଂ ଭର୍ଚୁଆଲ ପ୍ରଚାର ନିର୍ଦ୍ଦେଶ ସୋସିଆଲ ମିଡ଼ିଆ ମାର୍କେଟିଂକୁ ଶିଳ୍ପ ମାନ୍ୟତା ପ୍ରଦାନ କରିବ । ତୃତୀୟତଃ, ୨୦୨୧ ଶେଷ ପାଦରେ ବ୍ରହ୍ମପୁରର ପାରିବାରିକ କଳହ ରାଜ୍ୟର ସୋସିଆଲ ମିଡ଼ିଆରେ ଆଧିପତ୍ୟ ଜାହିର କରିଥିବା ଉଦାହରଣ ଏବଂ ଚ଼ତୁର୍ଥତଃ, ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପୂର୍ବାବସ୍ଥାରେ ପାରମ୍ପରିକ ଗଣମାଧ୍ୟମ ସହ ସୋସିଆଲ ମିଡ଼ିଆରେ ବିଜ୍ଞାପନ ପ୍ରଚାରଲାଗି ଉଲ୍ଲେଖନୀୟ ବ୍ୟୟ ନୂତନ ଶିଳ୍ପର ଭିତ୍ତିଭୂମି ପ୍ରତିଷ୍ଠାରେ ସହାୟକ ହେବା ସଂଭବ । ପଞ୍ଚମତଃ, ସୋସିଆଲ ମିଡ଼ିଆରେ ଭିଡ଼ିଓ ଓ ଅଡ଼ିଓ ପ୍ରଦର୍ଶନଲାଗି ଉନ୍ନତମାନର ସରଳ ଓ ଆକର୍ଷଣୀୟ ବୈଷୟିକ କୌଶଳ ଉପଲବ୍ଧ ହେଉଥିବା ହେତୁ ପ୍ରଯୋଜିତ କାର୍ଯ୍ୟକ୍ରମଗୁଡ଼ିକର ଗୁଣାତ୍ମକ ଅଭିବୃଦ୍ଧିର ସୁଯୋଗ ପହଞ୍ଚିଛି ।


 

ପରିବର୍ତ୍ତିତ ଗଣମାଧ୍ୟମ ପରିବେଶ, ଉପଭୋକ୍ତାଙ୍କ ଆଚ଼ରଣ ଓ ବୈଷୟିକ କ୍ରମୋନ୍ନତି ପାରମ୍ପରିକ ଆଙ୍ଗିକରେ ସଂଶୋଧନ ଦାବୀ କରୁଛି । ଏହାକୁ ପ୍ରତିରୋଧ ନକରି ସ୍ୱାଗତ କରିବା ଯୁକ୍ତିଯୁକ୍ତ । ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ଯେ ବିଲୋପ ପାଇବ ତାହା ନୁହ, ପ୍ରତିଭାଶାଳୀ ଚଳଚ଼ିତ୍ର ନିର୍ମାତାମାନେ ଓଡ଼ିଆ କାହାଣୀ, ଭାବଧାରା, ଆଶାଆକାଂକ୍ଷାକୁ ନେଇ ଅବଶ୍ୟ ଅଳ୍ପ ସଂଖ୍ୟକ ଚଳଚ଼ିତ୍ର ନିର୍ମାଣ କରିବେ । ଡ଼ିଜିଟାଲ ମଞ୍ଚରେ ତାହାକୁ ରାଜ୍ୟ ସହ ଦେଶ ବିଦେଶର ଢ଼େର ଅଧିକ ଦର୍ଶକ ଦେଖିବେ । ଦୁଇ ବର୍ଷ ମଧ୍ୟରେ ୨୬ ଗୋଟି ଓଡ଼ିଆ ଚଳଚ଼ିତ୍ର ମୁକ୍ତିଲାଭ କରିଥିଲା । କିନ୍ତୁ ଅଧିକାଂଶ ପ୍ରେକ୍ଷାଳୟରେ ସପ୍ତାହକରୁ ଅଧିକ ସମୟ ପ୍ରଦର୍ଶିତ ହୋଇପାରିନଥିଲା । ଏଥିରୁ କ’ଣ ଆମର କିଛି ଶିଖିବାର ନାହିଁ ?            


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୨


ତଥ୍ୟ:



Third wave set to delay multiplex recovery : Crisil. The Hindu  (Cuttack Edition). January 11, 2022


 

Singh, Minati. Fresh Covid surge drives nail in Odia film industry. The Times of India (Bhubaneswar Edition). January 07, 2022.

ଟେଲିଭିଜନ ବ୍ୟବସାୟରେ ଜଟିଳ ସମୟ

‘କୋଭିଡ଼-୧୯’ ମହାମାରୀ ପ୍ରଭାବରେ ବିଶ୍ୱବ୍ୟାପୀ ଗଣମାଧ୍ୟମ ଶିଳ୍ପରେ ବିଜ୍ଞାପନ ଆୟ ହ୍ରାସ ଆଶା କରାଯାଉଥିବା ସ୍ଥଳେ ଭାରତୀୟ ଟେଲିଭିଜନ ବ୍ୟବସାୟ ମଧ୍ୟ ସେଥିରୁ ବାଦ ଯାଉନଥିବା ଆକଳନ ଗୁରୁତ୍ୱବହନ କରେ । ‘ଫେଡ଼େରେସନ ଅଫ ଚେମ୍ୱର ଅଫ କମର୍ସ’ର ହିସାବରେ ୨୦୧୯ରେ ଭାରତୀୟ ଟେଲିଭିଜନ ବ୍ୟବସାୟ ୭୮ ହଜାର କୋଟି ଟଙ୍କା ଆୟ କରିଥିଲା । ଏଥି ମଧ୍ୟରେ ୩୨ ହଜାର କୋଟି ଟଙ୍କା ବିଜ୍ଞାପନ ଓ ୪୬ ହଜାର ୮୦୦ କୋଟି ଟଙ୍କା ଗ୍ରାହକ ଚାନ୍ଦା ଦେୟ ଅନ୍ତର୍ଭୁକ୍ତ ।


 

ଟେଲିଭିଜନ ବିଜ୍ଞାପନ ଅର୍ଥନୀତି ସମୀକ୍ଷକମାନେ ୨୦୨୦ ଏପ୍ରିଲ ରୁ ଜୁନ ଯାଏଁ ୨୦୨୦-୨୧ ଆର୍ଥିକବର୍ଷର ପ୍ରଥମ ତ୍ରୈୟମାସିକ ବିଜ୍ଞାପନ ଆୟ ୭ ହଜାର ୫୦୦ କୋଟି ଟଙ୍କା ଛୁଇଁବା ହିସାବ କରୁଥିଲେ । ଗତ ୨୦୧୯-୨୦ ଆର୍ଥିକବର୍ଷର ପ୍ରଥମ ତ୍ରୈୟମାସିକ ବିଜ୍ଞାପନ ଆୟ ମଧ୍ୟରେ ସିଂହଭାଗ ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ ୨,୫୦୦ କୋଟି ଏବଂ କେନ୍ଦ୍ର ଓ ରାଜ୍ୟ ସାଧାରଣ ନିର୍ବାଚନ ହଜାରରୁ ପନ୍ଦର ଶହ କୋଟି ଟଙ୍କା ମିଳିଥିବା ଦର୍ଶା ଯାଇଥାଏ । ଏହି ଦୁଇ ମୁଖ୍ୟ ଆୟସୂତ୍ରର ଅଭାବରେ ମୋଟ ୨୦୨୦-୨୧ ପ୍ରଥମ ତ୍ରୈୟମାସିକ ଟେଲିଭିଜନ ବିଜ୍ଞାପନ ଆୟ ୩,୭୫୦ ରୁ ୪,୧୨୫ କୋଟି ଟଙ୍କା ଯାଏଁ ଖସିଯିବା ଆଶଙ୍କା ପ୍ରକାଶ ପାଇଛି ।


 

ମହାମାରୀ ପରବର୍ତ୍ତୀ ଅବସ୍ଥାରେ ଅର୍ଥନୀତି ଅନ୍ତତଃପକ୍ଷେ କିଛି କାଳ ପାଇଁ ଦୁର୍ବଳ ହୋଇପଡ଼ିବା ଯୁକ୍ତିଯୁକ୍ତ ମନେ ହେଉଥିବା ହେତୁ ଗଣମାଧ୍ୟମରେ ବିଜ୍ଞାପନ ହ୍ରାସ କଳନା ଅସମଚୀନ ନୁହେଁ । ବିଶାରଦମାନଙ୍କ ହିସାବରେ ଭାରତୀୟ ଟେଲିଭିଜନ ବ୍ୟବସାୟ ବାର୍ଷିକଭିତ୍ତିରେ ମନୋହରୀ ସାମଗ୍ରୀ ବିଜ୍ଞାପନରୁ ସାତ ହଜାରରୁ ଆଠ ହଜାର କୋଟି, ଇ-କମର୍ସରୁ ଦୁଇ ହଜାରରୁ ଅଢ଼େଇ ହଜାର କୋଟି, ମୃଦୁପାନୀୟ ବର୍ଗରୁ ତିନିଶହ କୋଟି ଏବଂ ମଟର ସାଇକେଲ, ସୁନାଗହଣା ଓ ଅନ୍ୟାନ୍ୟ ଖୁଚୁରା ଶିଳ୍ପଗୁଡ଼ିକରୁ ପ୍ରାୟ ଚାରିଶହ କୋଟି ଟଙ୍କାର ବିଜ୍ଞାପନ ସଂଗ୍ରହ କରିଥାନ୍ତି । ଏହି ସବୁ କ୍ଷେତ୍ରରେ ଅର୍ଥନୀତିକ ମାନ୍ଦାବସ୍ଥା ପ୍ରଭାବ ପକାଇବା ନିଶ୍ଚିତ ବୋଲି ଧରି ନିଆଯାଇପାରେ ।


 

କେତେକ କହିଥାନ୍ତି ଯେ ମଟରଗାଡ଼ି, ମଟର ସାଇକେଲ, ସୁନାଗହଣା ଏବଂ ଖୁଚୁରା ବ୍ୟବସାୟରେ ବିଜ୍ଞାପନ ବ୍ୟୟ ବଡ଼ ଧରଣର କାଟଛାଟ ହେବ । ଏପରିକି ଇ-କମର୍ସ ଶିଳ୍ପର ବିଜ୍ଞାପନ ବ୍ୟୟ ମଧ୍ୟ ଅନ୍ତତଃପକ୍ଷେ ଅର୍ଦ୍ଧେକ କମିଯିବ । ଅନ୍ୟପକ୍ଷେ ସାବୁନ ଓ ସ୍ୱାସ୍ଥ୍ୟରକ୍ଷା ସାଙ୍ଗକୁ ପୋଷଣ ଶିଳ୍ପରେ ବିଜ୍ଞାପନ ବ୍ୟୟ ବଢ଼ିପାରେ । କାରଣ ଏହି କ୍ଷେତ୍ରରେ ବିକ୍ରୀବଟା ବଢ଼ିବା ଆଶା କରାଯାଏ । ସରକାରଙ୍କ ପକ୍ଷରୁ କରୋନାଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ପ୍ରାୟ ୫୦୦ କୋଟି ଟଙ୍କା ଗଣମାଧ୍ୟମରେ ବିଜ୍ଞାପନ ବ୍ୟୟ ହେଲେ ୨୦୨୦ ପ୍ରଥମ ତ୍ରୈୟମାସିକ ହିସାବରେ ଏହାହିଁ ଦୃଷ୍ଟି ଆକର୍ଷଣ କରିବ ।


 

ଏପ୍ରିଲରୁ ଜୁନ ୨୦୨୦ ସମୟସୀମାରେ ଟେଲିଭିଜନ ବିଜ୍ଞାପନ ବ୍ୟୟ ହ୍ରାସ ଆଶଙ୍କାର ଦ୍ୱିତୀୟ କାରଣ ରୂପେ ନୂତନ କାର୍ଯ୍ୟକ୍ରମ ‘କଣ୍ଟେଣ୍ଟ’ ଅଭାବକୁ ଚ଼ିହ୍ନଟ କରାଯାଇପାରେ । ମାସାଧିକ କାଳ ‘ଲକଡ଼ାଉନ’ ଅବସରରେ ସୁଟିଂ ଏକାବେଳକେ ବନ୍ଦ ରହିଥିବା ହେତୁ ଟେଲିଭିଜନ ଚ଼଼୍ୟାନେଲଗୁଡ଼ିକୁ ଏକେତ ପୁରୁଣା କାର୍ଯ୍ୟକ୍ରମ ପ୍ରସାରଣ କିମ୍ୱା ଭିଡ଼ିଓ-ଷ୍ଟ୍ରିମିଂ-ଚ୍ୟାନେଲଗୁଡ଼ିକରୁ କାର୍ଯ୍ୟକ୍ରମ ଖରିଦ କରିବା ବଦଳରେ ଅନ୍ୟଚାରା ନାହିଁ । ପ୍ରସାର ଭାରତୀ ପକ୍ଷରୁ ରାମାୟଣ, ମହାଭାରତ ସହ ସର୍କସ, ବ୍ୟୋମକେଶ ବକ୍ସି ଭଳି ପୁରୁଣା ଧାରାବାହିକ ପ୍ରଦର୍ଶନରେ ନେତୃତ୍ୱ ନେଇଥିଲା । ନୂତନ କାର୍ଯ୍ୟକ୍ରମ ଭଳି ପୁରାତନ କାର୍ଯ୍ୟକ୍ରମ ‘ରି-ରନ’ ସଂଖ୍ୟାଧିକ ଦର୍ଶକଙ୍କୁ ଆକୃଷ୍ଟ କରୁନଥିବା ହେତୁ ବିଜ୍ଞାପନ ପ୍ରଦର୍ଶକମାନେ ପଛଘୁଞ୍ଚା ଦେବା ସ୍ୱାଭାବିକ ।


 

ତୃତୀୟତଃ, ‘ଦି ଟେଲିକମ ରେଗୁଲେଟରୀ ଅଥାରିଟି ଅଫ ଇଣ୍ଡିଆ’ ପକ୍ଷରୁ ୨୦୧୯ରେ ପ୍ରବର୍ତ୍ତିତ ଟେଲିଭିଜନ ଗ୍ରାହକ ଚାନ୍ଦା ନୀତି ‘ନିଉ ଟାରିଫ ଅର୍ଡ଼ର’ରେ ୨୦୨୦ ମାର୍ଚ୍ଚ ପହିଲାରୁ ଆଣିଥିବା ସଂଶୋଧନ ମଧ୍ୟ ଟେଲିଭିଜନ ବ୍ୟବସାୟକୁ ପ୍ରଭାବିତ କରିବା ସନ୍ଦେହ କରାଯାଏ । ଦେଶରେ ଟେଲିଭିଜନ ଗ୍ରାହକ ଚ଼ାନ୍ଦା ଆଦାୟ ଅସଜଡ଼ା ହୋଇ ପଡ଼ି ରହିଥିବା ସ୍ଥଳେ ପ୍ରତ୍ୟେକ ଉପଭୋକ୍ତା ସେଟଟପ ବକ୍ସ ସ୍ଥାପନକୁ ବାଧ୍ୟତାମୂଳକ କରିବା ଏବଂ ଗ୍ରାହକ ଚ଼ାନ୍ଦା ଦାବୀକୁ ଶୃଙ୍ଖଳିତ କରାଯିବା ଫଳରେ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ବ୍ୟାପକ ସଂସ୍କାର ସଂଭବପର ହୋଇପାରିଥିଲା । ବର୍ତ୍ତମାନ ଯଦି ଟେଲିଭିଜନ ପ୍ରସାରଣ କମ୍ପାନୀମାନେ ବିଜ୍ଞାପନଠାରୁ ଅଧିକ ଆୟ ଗ୍ରାହକ ଚାନ୍ଦା ସୂତ୍ରରୁ ସଂଗ୍ରହ କରିପାରୁଛନ୍ତି ତେବେ ଉପରୋକ୍ତ ଦୁଇ ପଦ୍ଧତିର ଉପଯୋଗର ସୁଫଳ ବୋଲି କହିବାକୁ ହେବ ।


 

ନିଉ ଟାରିଫ ଅର୍ଡରରେ ଟେଲିଭିଜନ ପ୍ରସାରଣ ବ୍ୟବସାୟରେ ପ୍ରତ୍ୟେକ ଟେଲିଭିଜନ ଚ୍ୟାନେଲର ଦର ସହ ସମଷ୍ଟିଗତ ଦର ‘ବାକ୍ୟୁଟେ ପ୍ରାଇସ’ ନିର୍ଦ୍ଧାରଣ ସୁଯୋଗ ରହିଛି । ୨୦୨୦ ମାର୍ଚ୍ଚ ସଂଶୋଧନ ‘ଆମେଣ୍ଡମେଣ୍ଟ’ରେ ବାକ୍ୟୁଟେର ସାମିଲ ହୋଇଥିବା ଯେକୌଣସି ଚ୍ୟାନେଲର ସର୍ବାଧିକ ଦର ମାସିକ ୧୯ ଟଙ୍କାରୁ ୧୨ ଟଙ୍କାକୁ ହ୍ରାସ କରିବା ତଥା କୌଣସି ଚ୍ୟାନେଲ ନିମନ୍ତେ ୩୩ ପ୍ରତିଶତରୁ ଅଧିକ ରିହାତି ‘ଡ଼ିସକାଉଣ୍ଟ’ ନଦେବା ନିମନ୍ତେ ପ୍ରାବଧାନ ରହିଛି । ସମୀକ୍ଷକମାନଙ୍କ ମତରେ ଏହା ଦ୍ୱାରା ମଧ୍ୟମ ଓ ଛୋଟ ଚ୍ୟାନେଲଗୁଡ଼ିକ ଦର୍ଶକ ହରାଇପାରନ୍ତି ଏବଂ ଏତଦ୍ୱାରା ସେମାନଙ୍କ ଉଭୟ ଗ୍ରାହକ ଚ଼ାନ୍ଦା ଓ ବିଜ୍ଞାପନ ଆୟ କମିପାରେ । ନିଉ ଟାରିଫ ଅର୍ଡ଼ର ୨୦୧୯ରେ ଲାଗୁ ହେବା ପରେ ତତକ୍ଷଣାତ କୋଟିଏ କୋଡ଼ିଏରୁ ଦେଢ଼ କୋଟି ଯାଏଁ ଗ୍ରାହକ କମି ଯାଇଥିଲେ । ସଂଶୋଧିତ ନୀତିରେ ସେଭଳି କିଛି ପ୍ରଭାବ ଟେଲିଭିଜନ ବ୍ୟବସାୟର ୨୦୨୦-୨୧ ପ୍ରଥମ ତ୍ରୈୟମାସିକ ଆୟ ହ୍ରାସର କାରଣ ପାଲଟିପାରେ ।


 

ଟେଲିଭିଜନ ବ୍ୟବସାୟରେ ଆୟ ହ୍ରାସ ଘଟିଲେ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ନିଯୁକ୍ତି ଉପରେ ସିଧାସଳଖ ପ୍ରଭାବ ପଡ଼ିଥାଏ । ଏନଟିଓ ୨.୦ କାର୍ଯ୍ୟକାରୀ ହେବାପରେ ଦର୍ଶକମାନେ ନିଜ ମନପସନ୍ଦର ଚ୍ୟାନେଲର ଗ୍ରାହକ ଶ୍ରେଣୀଭୁକ୍ତ ହେବା ନିମନ୍ତେ ଅଧିକ ସୁଯୋଗ ପାଇବେ । ଅପରପକ୍ଷେ ଦେୟଯୁକ୍ତ ଷ୍ଟ୍ରୀମିଂ ଚ୍ୟାନାଲଗୁଡ଼ିକର ଲୋକପ୍ରିୟତା କ୍ରମଶଃ ବଢ଼ିବାରେ ଲାଗିଛି । ଏହି ପରିବେଶର ମୁକାବିଲା କରିବା ନିମନ୍ତେ ଭାରତୀୟ ଟେଲିଭିଜନ କାର୍ଯ୍ୟକ୍ରମଗୁଡ଼ିକର ଗୁଣବତ୍ତା ବୃଦ୍ଧି ଏବଂ କର୍ମଚାରୀମାନେ ପୁନଃ ତାଲିମପ୍ରାପ୍ତ ‘ରି-ସ୍କିଲଡ଼’ ହେବା ଗୁରୁତ୍ୱପୂର୍ଣ୍ଣ ।             


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଏପ୍ରିଲ ୨୦୨


ତଥ୍ୟ:



Mahendra, Vainavi. Coronavirus impact: Ad. expenditure to decline by 50-55% on TV between April-June 2020. www.financialexpress.com. March 31, 2020.



https://www.financialexpress.com/brandwagon/coronavirus-impact-ad-expenditure-to-decline-by-50-55-on-tv-between-april-june-2020/1914445/


 

Das, Sohani. Viewers lap up sports and news channels despite new tariff order. Business Standard. January 13, 2020. 

ବିଜ୍ଞାପନ ବ୍ୟୟ ହ୍ରାସ

ଭାରତୀୟ ଗଣମାଧ୍ୟମ ମଞ୍ଚଗୁଡ଼ିକ ବିଜ୍ଞାପନ ଆୟ ଆଶ୍ରିତ ଆଙ୍ଗିକ ‘ମଡ଼େଲ’ରେ ବିକଶିତ ହୋଇଥିବା କାରଣରୁ ବିଜ୍ଞାପନ ଆୟ ହ୍ରାସରେ ସେମାନଙ୍କ ବ୍ୟାବସାୟିକ ସ୍ଥିତି ଗଭୀର ପ୍ରଭାବିତ ହୋଇଥାଏ । ଅର୍ଥନୀତିକ ଅଭିବୃଦ୍ଧି ଉପରେ ବିଜ୍ଞାପନ ବ୍ୟୟ ନିର୍ଭରଶୀଳ । ତେଣୁ ଆନ୍ତର୍ଜାତିକସ୍ତରରେ ହେଉ କିମ୍ୱା ରାଷ୍ଟ୍ରୀୟସ୍ତରରେ ଅର୍ଥନୀତିକ ମାନ୍ଦାବସ୍ଥା ଦେଖା ଦେଲେ ବିଜ୍ଞାପନ ବ୍ୟୟ କମି ଆସେ । ‘କୋଭିଡ଼-୧୯’ ସଂକ୍ରମଣ ରୋକିବା ନିମନ୍ତେ ଦେଶବ୍ୟାପୀ ବନ୍ଦ ଡ଼ାକରାରେ ଉତ୍ପାଦନ, ବାଣିଜ୍ୟବ୍ୟବସାୟ, ରପ୍ତାନୀ  ଇତ୍ୟାଦିରେ ନକାରାତ୍ମକ ସ୍ଥିତି ଭାରତରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୮ ପ୍ରତିଶତ ଯାଏଁ ବିଜ୍ଞାପନ ବ୍ୟୟ ହ୍ରାସପାଇବା ଆକଳନ କରାଯାଇଥିଲା ।


 

ପ୍ରମୁଖ ଆନ୍ତର୍ଜାତିକ ବ୍ୟାବସାୟିକ ଗବେଷଣା ସଂସ୍ଥା ‘କ୍ରିସିଲ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୨୦୨୦ ଆରମ୍ଭ ସୁଦ୍ଧା ସ୍ଥାନୀୟ ସମ୍ୱାଦପତ୍ର, ଟେଲିଭିଜନ, ରେଡ଼ିଓ ଓ ଇଣ୍ଟରନେଟ ଇତ୍ୟାଦି ଗଣମାଧ୍ୟମ ମଞ୍ଚଗୁଡ଼ିକର ଆୟରେ ୪୫ ପ୍ରତିଶତ ବିଜ୍ଞାପନ ଏବଂ ୫୫ ପ୍ରତିଶତ ଗ୍ରାହକଚାନ୍ଦା ଅନ୍ତର୍ଭୁକ୍ତ ଥିଲା । ସମୁଦାୟ ଗଣମାଧ୍ୟମ ଶିଳ୍ପର ୨୦୨୦-୨୧ ଆର୍ଥିକ ବର୍ଷରେ ଆୟ ଏକ ଲକ୍ଷ ତିରିଶି ହଜାର କୋଟି ଟଙ୍କା ହିସାବ କରାଯାଉଥିବା ସ୍ଥଳେ ବିଜ୍ଞାପନ ଆୟରୁ ୨୫ ହଜାର କୋଟି ଟଙ୍କା କମିଯିବା ଆଶଙ୍କା କରାଯାଇଥିଲା । ଏହାକୁ ଭରଣା କରିବା ନିମନ୍ତେ ବିଭିନ୍ନ କ୍ଷେତ୍ରରେ ବ୍ୟୟ କାଟଛାଟ କଲେ ସୁଦ୍ଧା ବ୍ୟାବସାୟିକ ଲାଭାଂଶ ବହୁ ପରିମାଣରେ କମିଯିବା ସୁନିଶ୍ଚିତ ହୋଇଥିଲା ।


 

ମହାମାରୀ ପୂର୍ବାବସ୍ଥା ୨୦୧୯-୨୦ ଆର୍ଥିକ ବର୍ଷରେ କେତେକାଂଶରେ ଅର୍ଥନୀତିକ ମନ୍ଦାବସ୍ଥା ଅନୁଭୂତ ହୋଇଥିଲା । ଏତଦ୍ୱାରା ବିଜ୍ଞାପନ ବ୍ୟୟରେ ସନ୍ତୋଷଜନକ ଅଭିବୃଦ୍ଧି ସଂଭବ ହୋଇପାରି ନଥିଲା । ତେବେ ୨୦୨୦-୨୧ ଆର୍ଥିକ ବର୍ଷରେ ଉଭୟ କ୍ଷେତ୍ରରେ ମାନ୍ଦାବସ୍ଥା ବିଗତ କେତେକ ଦଶନ୍ଧିର ସର୍ବାଧିକ ସୀମାରେ ପହଞ୍ଚିବା ସୁନିଶ୍ଚିତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା ।


 

‘କ୍ରିସିଲ’ ଭାରତର ୭୮ ଗୋଟି ପ୍ରମୁଖ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ପ୍ରତିଷ୍ଠାନର ବ୍ୟାବସାୟିକ ମାନାଙ୍କ ‘ରେଟିଂ’ କରିଥାଏ । ସେଗୁଡ଼ିକର ବ୍ୟାବସାୟିକ ସ୍ଥିତାବସ୍ଥା ଅନୁଶୀଳନ କରି ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ମହାମାରୀଜନିତ ଲକଡ଼ାଉନ ଅବସରରେ ମୁଦ୍ରଣ, ଚଳଚ଼ିତ୍ର ଓ ଟେଲିଭିଜନ ମଞ୍ଚଗୁଡ଼ିକୁ ବିଚାରକୁ ନେଲେ ଗ୍ରାହକଚାନ୍ଦା ଆଦାୟ କ୍ଷେତ୍ରରେ ଟେଲିଭିଜନର ସ୍ଥିତି ଭଲ ରହିଥିଲା । ତେବେ ନୂତନ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ବାଧା ଏବଂ ଇଣ୍ଡିଆନ ପ୍ରିମିୟର ଲିଗ ଭଳି ଉତ୍ସବ ‘ଇଭେଣ୍ଟ’ ଆୟୋଜନରେ ଅସହାୟତା ହେତୁ ବିଜ୍ଞାପନ ଆୟ ପ୍ରଭାବିତ ହେବା ସୁନିଶ୍ଚିତ ବିଶ୍ୱାସ କରାଯାଇଥିଲା ।


 

ଅପରପକ୍ଷେ ମୁଦ୍ରଣ ଶିଳ୍ପରେ ସମ୍ୱାଦପତ୍ରଗୁଡ଼ିକର ମୁଖ୍ୟ ବିଜ୍ଞାପନଦାତା ଅଟୋମୋବାଇଲ, ରିଏଲ ଇଷ୍ଟେଟ ଓ ଇ-କମର୍ସର ବିକ୍ରିବଟା ସାମୟିକଭାବେ ବନ୍ଦ ପରିସ୍ଥିତିକୁ ଚାଲିଆସିଥିବା ହେତୁ ବିଜ୍ଞାପନ ଖର୍ଚ୍ଚ ଯଥେଷ୍ଟ କମିଯାଇଥିଲା । ସମ୍ୱାଦପତ୍ର ବିତରଣ କ୍ଷେତ୍ରରେ ଲକଡ଼ାଉନଜନିତ ପରିବହନ ସମସ୍ୟା କାରଣରୁ ପ୍ରସାର ସଂଖ୍ୟା କମି ଆସିବା ଫଳରେ ଗ୍ରାହକଚାନ୍ଦା ଆଦାୟ ମଧ୍ୟ ପ୍ରଭାବିତ ହୋଇଥିଲା । ଉଭୟ ବିଜ୍ଞାପନ ଓ ଗ୍ରାହକ ଚାନ୍ଦାରେ ଦୀର୍ଘକାଳୀନ ଶୀଥିଳତା ଚଳିତ ଆର୍ଥିକ ବର୍ଷର ଆୟବ୍ୟୟରେ ପ୍ରତିଫଳିତ ହୋଇଥିଲା ।


 

ନିକଟ ଅତୀତରେ ଡ଼ିଜିଟାଲ ମଞ୍ଚର ବ୍ୟାପ୍ତି ତଥା ଲକଡ଼ାଉନ ଅବସରରେ ଜନସାଧାରଣ ଗୃହାବଦ୍ଧ ରହିବା ହେତୁ ମାତ୍ରାଧିକ ଡ଼ିଜିଟାଲ ମଞ୍ଚ ବ୍ୟବହାର ସେହି କ୍ଷେତ୍ରରେ ବିଜ୍ଞାପନ ଆୟ ବୃଦ୍ଧିରେ ପର୍ଯ୍ୟବସିତ ହେବା ସାଧାରଣରେ ବିଶ୍ୱାସ କରାଯାଇଥାଏ । କିନ୍ତୁ ଅନ୍ୟତମ ଡିଜିଟାଲ ମଞ୍ଚ ସମୀକ୍ଷକ ‘ଟାମ-ଏଡ଼-ଏକ୍ସ’ ପକ୍ଷରୁ ୨୦୨୦ ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶିତ ଏକ ରିପୋର୍ଟରେ ଭାରତୀୟ ଡ଼ିଜିଟାଲ ମଞ୍ଚରେ ୨୦୨୦ ଜାନୁୟାରୀରୁ ମାର୍ଚ୍ଚ ପ୍ରଥମ ତ୍ରୟମାସିକ ବିଜ୍ଞାପନ ବ୍ୟୟ ତୁଳନାରେ ଏପ୍ରିଲରୁ ଜୁନ ଦ୍ୱିତୀୟ ତ୍ରୟମାସିକ ବିଜ୍ଞାପନ ବ୍ୟୟ ୨୨ ପ୍ରତିଶତ କମି ଆସିଥିବା ହିସାବ କରାଯାଇଥିଲା ।


 

ଏପ୍ରିଲ ଓ ମେ ୨୦୨୦ରେ ଡିଜିଟାଲ ମଞ୍ଚଗୁଡ଼ିକରେ ବିଜ୍ଞାପନ ପ୍ରଦର୍ଶନ ହ୍ରାସ ସ୍ଥଳେ ଜୁନରେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା । ବର୍ଷର ପ୍ରଥମ ଛଅ ମାସରେ ‘ୟୁ-ଟ୍ୟୁବ’ରେ ସର୍ବାଧିକ ବିଜ୍ଞାପନ ପ୍ରଦର୍ଶିତ ହୋଇଥିଲା ଏବଂ ସମୁଦାୟ ଡିଜିଟାଲ ମଞ୍ଚ ବିଜ୍ଞାପନର ୧୧ ପ୍ରତିଶତ ଅଂଶ ଦାବୀ କରିଥିଲା । ଇ-କମର୍ସ, ମନୋରଞ୍ଜନ, ମୋବାଇଲ ଫୋନ ଓ ସୋସିଆଲ ମିଡ଼ିଆ ବ୍ରାଣ୍ଡଗୁଡ଼ିକ ବିଜ୍ଞାପନର ପ୍ରମୁଖ ଅଂଶୀଦାର ଥିବା ପ୍ରକାଶ ।


 

ମହାମାରୀରେ ଏଫ.ଏମ୍ ରେଡ଼ିଓ ସବୁଠାରୁ ଅଧିକ ବିଜ୍ଞାପନ ହରାଇଥିବା ହିସାବ କରାଯାଇଛି । ପୂର୍ବ ତ୍ରୟମାସ ତୁଳନାରେ ରେଡ଼ିଓରେ ୭୯ ପ୍ରତିଶତ ଯାଏଁ ବିଜ୍ଞାପନ ଆୟ କମିଥିଲା । ଫେବୃୟାରୀରୁ ଏପ୍ରିଲ ୨୦୨୦ ତିନିମାସଧରି ବିଜ୍ଞାପନ ଅଭାବ ଲାଗି ରହିବା ପରେ ମେ’ ମାସରେ ସାମାନ୍ୟ ସୁଧାର ଆସିଥିବା ଜଣାଯାଏ ।


 

ଆନ୍ତର୍ଜାତିକସ୍ତରରେ କେବଳ ଚୀନକୁ ବାଦ ଦେଲେ ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକରେ ବିଜ୍ଞାପନ ବ୍ୟୟ ହ୍ରାସ ପାଇବା ସଂପର୍କରେ ପ୍ରମୁଖ ବ୍ୟାବସାୟିକ ଗବେଷଣା ସଂସ୍ଥା ‘ଇ-ମାର୍କେଟର’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ବିଶ୍ୱବ୍ୟାପୀ ୨୦୧୯-୨୦ରେ ବିଜ୍ଞାପନ ବ୍ୟୟ ୬.୩ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ସ୍ଥଳେ ୨୦୨୦-୨୧ରେ ୪.୯ ପ୍ରତିଶତ ହ୍ରାସ ପାଇବା ଆକଳନ କରାଯାଇଥିଲା । ଅନ୍ୟାନ୍ୟ ରିପୋର୍ଟରେ ବ୍ରିଟେନରେ ୨୦୨୦-୨୧ରେ ମୋଟ ବିଜ୍ଞାପନ ବ୍ୟୟ ୭.୫ ପ୍ରତିଶତ ହ୍ରାସ ଆଶା କରାଯାଇଥିବା ସ୍ଥଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଟେଲିଭିଜନ ମଞ୍ଚ ଗୁଡ଼ିକର ବିଜ୍ଞାପନ ଆୟ ୨୭.୧ ପ୍ରତିଶତ ଯାଏଁ ହ୍ରାସ ପାଇବା କୁହାଯାଇଥିଲା । ତେବେ ୨୦୨୧-୨୨ରେ ବ୍ରିଟେନରେ ବିଜ୍ଞାପନ ୧୫.୩ ପ୍ରତିଶତ ଯାଏଁ ବୃଦ୍ଧି ପାଇବା ହିସାବ ଆଶା ସଂଚାର କରିଥିଲା ।


 

ଭାରତର ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବିଜ୍ଞାପନ ଆୟ ତୁଳନାରେ ଗ୍ରାହକ ଦେୟ ବୃଦ୍ଧି ଏକ ଶୁଭ ସୂଚନା । ଏକବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ଇଂଲିଶ ସମ୍ୱାଦପତ୍ରଗୁଡ଼ିକ ଗ୍ରାହକ ଚାନ୍ଦା ଆକାରରେ ମାତ୍ର ୧୫ ପ୍ରତିଶତ ଆଦାୟ କରୁଥିବା ସ୍ଥଳେ ଆୟର ୮୫ ପ୍ରତିଶତ ବିଜ୍ଞାପନ ଉପରେ ନିର୍ଭରଶୀଳ ହେଉଥିଲେ । ମହାମାରୀ ପୂର୍ବାବସ୍ଥାରେ ଗ୍ରାହକ ଦେୟ ୫୫ ପ୍ରତିଶତକୁ ବୃଦ୍ଧି ପାଇ ବିଜ୍ଞାପନ ଆୟ ୪୫ ପ୍ରତିଶତକୁ ଖସି ଆସିଥିବା ଏବଂ ମହାମାରୀ-ପର ଅବସ୍ଥାରେ ଏହି ଧାରାରେ ଉନ୍ନତି ଆସିବା ସମ୍ଭାବନା ଗଣମାଧ୍ୟମର ସ୍ୱାଧୀନତା ତଥା ଗୁଣାତ୍ମକ ବିକାଶରେ ସହାୟକ ହେବା ବିଶ୍ୱାସ କରାଯାଇପାରେ ।              


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୭ ଜୁଲାଇ ୨୦୨୦


ତଥ୍ୟ:



Media, entertainment sector revenue could take to 16 pc hit in FY 21 : CRISIL. Brand Equity. May 12, 2020 



<brandequity.economictimes.indiatimes.com/news/media/media-entertainment-sector-revenue-could-take-16-pc-hit-in-fy21-crisil/75687403>

 

 

Malvania, Urvi. Advertising : Digital ad volume dip in Q2 2020. Brand Equity. July  14, 2020 



<brandequity.economictimes.indiatimes.com/news/advertising/advertising-digital-ad-volume-dip-in-q2-2020/76951299>

 

 

Sen, Indrani. Global media gloom. www.mxmindia.com. July 13, 2020 



<www.mxmindia.com/2020/07/indrani-sen-global-media-gloomy>

ଦାରୁଣ ନିଦାଘ ଏପ୍ରିଲ ୨୦୨୦

ବିଶ୍ୱବ୍ୟାପୀ ‘କୋଭିଡ଼-୧୯’ ସଂକ୍ରମଣ କାଳରେ ସମାଜର ବିଭିନ୍ନ ଅଙ୍ଗ ପ୍ରଭାବିତ ହୋଇଥିବା ସ୍ଥଳେ ଭାରତୀୟ ଗଣମାଧ୍ୟମ ଶିଳ୍ପ ମଧ୍ୟ ବାଦ ଯାଇନାହିଁ । ଦେଶବ୍ୟାପୀ ଜନପଦ ବନ୍ଦ ‘ଲକ ଡ଼ାଉନ’ ଡ଼ାକରାରେ କଳକାରଖାନାରେ ଉତ୍ପାଦନ ଓ ବଜାର ବିପ୍ପଣୀରେ ବିକ୍ରୀ ବନ୍ଦ ହୋଇଯାଇଥିବା ସ୍ଥଳେ ବିଜ୍ଞାପନ ଶିଳ୍ପର କାରବାର ଭୁଷୁଡ଼ି ପଡ଼ିଛି । ଭାରତୀୟ ଗଣମାଧ୍ୟମ ମଞ୍ଚଗୁଡ଼ିକ ବ୍ୟାବସାୟିକସ୍ତରରେ ବିଜ୍ଞାପନ ଆଶ୍ରିତ ଧାରା ‘ମଡ଼େଲ’ରେ ପର୍ଯ୍ୟବସିତ ହୋଇଥିବା ହେତୁ ତତ୍କ୍ଷଣାତ କ୍ଷତିର ସମ୍ମୁଖୀନ ହୋଇଛନ୍ତି ।


 

ବୈଜ୍ଞାନିକମାନଙ୍କ ମତରେ ମହାମାରୀର ପ୍ରତ୍ୟକ୍ଷ ପ୍ରଭାବ ଦୀର୍ଘଦିନ ଅନୁଭୂତ ହେବା ଆକଳନ ଏବଂ ଅର୍ଥନୀତିଜ୍ଞମାନଙ୍କ ଦ୍ୱାରା ମାନ୍ଦାବସ୍ଥାର ପୁର୍ବାନୁମାନ ସମ୍ୱାଦ ଶିଳ୍ପର ପ୍ରକାଶକ ଓ ସମ୍ପାଦକମାନଙ୍କୁ କିଂ-କର୍ତ୍ତବ୍ୟ-ବିମୂଢ ଅବସ୍ଥାରେ ପହୁଞ୍ଚାଇ ଦେଇଛି । ବିଘଟନ ପ୍ରଭାବରେ ମୁଦ୍ରଣ, ଟେଲିଭିଜନ ଓ ଇଣ୍ଟରନେଟ ସମସ୍ତ ମଞ୍ଚରେ ଅବସ୍ଥାପିତ ସମ୍ୱାଦ ଶିଳ୍ପରେ ବଡ଼ଧରଣର ପୁନଃବିନ୍ୟାସ ସଂପର୍କରେ ଗଣମାଧ୍ୟମ ବିଶ୍ଳେଷକମାନେ ଚ଼େତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଦାରୁଣ ନିଦାଘ ଏପ୍ରିଲ ୨୦୨୦ ଗଣମାଧ୍ୟମ ଇତିହାସ ପୃଷ୍ଠାରେ ଏକ ଚର୍ଚ୍ଚିତ ଅଧ୍ୟାୟ ।


 

ମହାମାରୀ ସଂକ୍ରମଣ ରୋକିବା ନିମନ୍ତେ ଜନପଦ ବନ୍ଦ ଡ଼ାକରା ପରବର୍ତ୍ତୀ ଅବସ୍ଥାରେ ୨୫ ମାର୍ଚ୍ଚରୁ ଭାରତୀୟ ମୁଦ୍ରଣ ଗଣମାଧ୍ୟମ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲା । ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଗ୍ରାହକମାନଙ୍କ ଘର ଦ୍ୱାରରେ ହକରମାନଙ୍କ ଦ୍ୱାରା ବାଣ୍ଟିବା କିମ୍ୱା ନିଉଜଷ୍ଟାଣ୍ଡଗୁଡ଼ିକରେ ବିକ୍ରୀ କରିବା ଅସଂଭବ ହୋଇପଡ଼ିବା ସ୍ଥଳେ ହଠାତ ବିଜ୍ଞାପନ ବନ୍ଦ ହୋଇଯିବା ଏବଂ ଘୋଷିତ ପ୍ରସାରଣରୁ କମ ସଂଖ୍ୟକ ସମ୍ୱାଦପତ୍ର ମୁଦ୍ରଣ ହେତୁ ସ୍ଥଳବିଶେଷରେ କେତେକ ସଂସ୍କରଣର ମୁଦ୍ରଣ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ ।


 

ଅବଶ୍ୟ ଟେଲିଭିଜନ ଓ ଇଣ୍ଟରନେଟ ମଞ୍ଚରେ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ‘ବ୍ରଡ଼ବାଷ୍ଟିଂ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ’ ଏବଂ ‘ନେଲସନ’ଙ୍କ ହିସାବ ଅନୁଯାୟୀ ଜାନୁୟାରୀ ୧୧ ରୁ ୩୧ ମହାମାରୀ-ପୂର୍ବ ଅବସ୍ଥା ତୁଳନାରେ ମାର୍ଚ୍ଚ ୨୮ ରୁ ଏପ୍ରିଲ ୩ ମହାମାରୀ-ପର ସପ୍ତାହରେ ଟେଲିଭିଜନ ଦର୍ଶକ ସଂଖ୍ୟା ୫୬ କୋଟିରୁ ୬୨ କୋଟି ୭୦ ଲକ୍ଷ, ପ୍ରାୟ ୧୨ ପ୍ରତିଶତ ବଢ଼ିଥିଲା । ଦର୍ଶକପିଚ୍ଛା ଟେଲିଭିଜନ କାର୍ଯ୍ୟକ୍ରମ ଦେଖା ଦୈନିକ ୩ ଘଣ୍ଟା ୪୬ ମିନଟରୁ ୪ ଘଣ୍ଟା ୪୮ ମିନଟକୁ ବଢ଼ିଥିଲା । ଦର୍ଶକମାନେ ଗଭୀର ରାତି ଗୋଟାଏରୁ ଦୁଇଟା ଯାଏଁ ଏବଂ ବଡ଼ିସକାଳୁ ୪ ଠାରୁ ୬ଟା ଯାଏଁ ମଧ୍ୟ ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋଗ କରୁଥିଲେ ।


 

ଇଣ୍ଟରନେଟ ମଞ୍ଚରେ ମାର୍ଚ୍ଚ ଦ୍ୱିତୀୟପକ୍ଷରୁ ଉପଭୋକ୍ତାଙ୍କ ଭିଡ଼ ଜମିଥିଲା । ମହାମାରୀ-ପୂର୍ବ ଫେବୃୟାରୀ ୧୦ ରୁ ୧୬ ସପ୍ତାହ ତୁଳନାରେ ମାର୍ଚ୍ଚ ୨୩ ରୁ ୨୯ ସପ୍ତାହରେ ପ୍ରମୁଖ ସମ୍ୱାଦ ୱେବସାଇଟ ଓ ଆପ୍ଳିକେସନଗୁଡ଼ିକରେ ୮୯ ପ୍ରତିଶତ ଉପଭୋକ୍ତା ବଢ଼ିଥିଲେ । ମୁଦ୍ରଣ ମଞ୍ଚରେ ପ୍ରସାରଣ ଓ ପ୍ରକାଶନରେ ଅନିୟମିତତା ଦେଖା ଦେଇଥିଲେ ହେଁ ଟେଲିଭିଜନ ଓ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ଉପଭୋକ୍ତା ସଂଖ୍ୟା ବୃଦ୍ଧି ସତ୍ତ୍ୱେ ଜନପଦ ବନ୍ଦ ଅବସରରେ ବ୍ୟାବସାୟିକ କାରବାର ଅଭାବ କାରଣରୁ ସମସ୍ତ ମଞ୍ଚରେ ବିଜ୍ଞାପନର ମାତ୍ରା କମି ଆସିଥିଲା ।


 

ଏପ୍ରିଲ ପ୍ରଥମ ସପ୍ତାହରୁ ଭାରତୀୟ ଗଣମାଧ୍ୟମର ଆଗଧାଡ଼ିର କେତେକ ମଞ୍ଚ ପକ୍ଷରୁ ମହାମାରୀ ଅବସରରେ ସୃଷ୍ଟ ବ୍ୟାବସାୟିକ ବିଘଟନର ମୁକାବିଲା କରିବା ନିମନ୍ତେ ମୁଦ୍ରିତ ସଂସ୍କରଣ ପ୍ରକାଶନ କାଟଛାଟ କିମ୍ୱା ବନ୍ଦ, କର୍ମଚାରୀ ଛଟେଇ, ଦରମା ହ୍ରାସ ତଥା ବାଧ୍ୟତାମୂଳକ ଅବୈତନିକ ଛୁଟି ‘ଫାରଲୋ’ଭଳି ନିଷ୍ପତ୍ତି ଅନେକଙ୍କୁ ବିସ୍ମିତ କରିଥିଲା । ଜନପଦ ବନ୍ଦର ସପ୍ତାହକ ମଧ୍ୟରେ ପ୍ରମୁଖ ଗଣମାଧ୍ୟମ ମଞ୍ଚଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ମହାମାରୀର ସମ୍ଭାବ୍ୟ ଦୀର୍ଘ ଅବଧି କାଳରେ ବିସ୍ପୋରକ ରୂପ ନେବା ଆଶଙ୍କା ଘନୀଭୂତ ହୋଇଛି ।


 

ଦେଶର ଅନ୍ୟତମ ବହୁଳ ପ୍ରସାରିତ ଇଂଲିଶ ଦୈନିକ ସମ୍ୱାଦପତ୍ର ‘ଟାଇମସ ଅଫ ଇଣ୍ଡିଆ’ର ଚାରି ପୃଷ୍ଠା ବିଶିଷ୍ଟ ଗ୍ଳସି ରବିବାସରୀୟ କ୍ରୋଡ଼ପତ୍ର ‘ଟାଇମ ଲାଇଫ’ର ପ୍ରସାରଣ ସଂଖ୍ୟା ପ୍ରାୟ ୧୦ ଲକ୍ଷ । କର୍ତ୍ତୃପକ୍ଷ ଏହାକୁ ଏକ ପୃଷ୍ଠାକୁ କମାଇ ଦେଇ ଦିଲ୍ଲୀ ସଂସ୍କରଣରେ ପ୍ରକାଶିତ ‘ଦିଲ୍ଲୀ ଟାଇମସ’ର ସମ୍ପାଦକୀୟ ଶାଖାକୁ ପ୍ରଯୋଜନା ଦାୟିତ୍ୱ ଦେଇଥିଲେ । ଏଥିରେ ଜୀବନଶୈଳୀ, ପର୍ଯ୍ୟଟନ, ଖାଦ୍ୟରୁଚ଼ି ତଥା ପ୍ରତିଷ୍ଠିତ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ସଂପର୍କରେ ଲେଖା ପ୍ରକାଶ ପାଇ ଆସିଥିଲା । ‘ଟାଇମ ଲାଇଫ’ରେ ଛଅ ଜଣ ସଂପାଦକ ଓ ଦୁଇ ଜଣ ଡ଼ିଜାଇନର କାର୍ଯ୍ୟରତ ଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସଂପାଦକ ଓ ଜଣେ ଡ଼ିଜାଇନରଙ୍କୁ ଛଟେଇ କରିଦିଆଯାଇଥିଲା ।


 

ସେହିପରି ‘ଟାଇମସ ଅଫ ଇଣ୍ଡିଆ’ ଓ ‘ଇକନୋମିକ ଟାଇମ୍ସ’ରେ ‘ସ୍ପିକିଂ ଟ୍ରି’ ଜୀବନଦର୍ଶନ ରଚନାରେ ଆଧାରିତ ଏକ ସ୍ତମ୍ଭ ନିୟମିତ ପ୍ରକାଶ ପାଇଥାଏ । ରବିବାର ଦିନ ପ୍ରକାଶିତ ଆଠ ପୃଷ୍ଠା ବିଶିଷ୍ଟ ’ସ୍ପିକିଂ ଟ୍ରି’ କ୍ରୋଡ଼ପତ୍ର ଛଅ ପୃଷ୍ଠାକୁ କମିବାପରେ ମହାମାରୀ ଅବସରରେ ତାହା ଏକ ପୃଷ୍ଠାରେ ସୀମିତ ରଖାଯାଇଛି । ଏଥିରେ ସଂପୃକ୍ତ ତିନିଜଣ ସଂପାଦକଙ୍କୁ ଛଟେଇ କରିଦିଆଯାଇଥିଲା ।


 

ଅନ୍ୟତମ ପ୍ରମୁଖ ଇଂଲିଶ ଦୈନିକ ‘ଇଣ୍ଡିଆନ ଏକ୍ସପ୍ରେସ’ର ମୁଖ୍ୟ ସଂପାଦକ ରାଜକମଲ ଝା ନିଜ ପାଇଁ ଶତ ପ୍ରତିଶତ ଦରମା କାଟ ଘୋଷଣା କରିଛନ୍ତି । ସମ୍ୱାଦପତ୍ରର ଉଚ୍ଚ ବେତନଭୋଗୀଙ୍କ ମଧ୍ୟରେ ବାର୍ଷିକ ୫ ଲକ୍ଷରୁ ୭ ଲକ୍ଷ ୫୦ ହଜାର ଅର୍ଜନ କରୁଥିବା କର୍ମଚାରୀଙ୍କ ୧୦ ପ୍ରତିଶତ, ୭ ଲକ୍ଷ ୫୦ ହଜାରରୁ ୧୦ ଲକ୍ଷ ଅର୍ଜନ କରୁଥିବା କର୍ମଚାରୀଙ୍କ ୧୫ ପ୍ରତିଶତ, ୧୦ ଲକ୍ଷରୁ ୨୦ ଲକ୍ଷ ଅର୍ଜନ କରୁଥିବା କର୍ମଚାରୀଙ୍କ ୨୦ ପ୍ରତିଶତ, ୨୦ ଲକ୍ଷରୁ ୩୫ ଲକ୍ଷ ଅର୍ଜନ କରୁଥିବା କର୍ମଚାରୀଙ୍କ ୨୫ ପ୍ରତିଶତ ଏବଂ ତତୁର୍ଦ୍ଧ ଅର୍ଜନ କରୁଥିବା କର୍ମଚାରୀଙ୍କ ୩୦ ପ୍ରତିଶତ ଦରମା କାଟ ଏପ୍ରିଲ ମାସରୁ ଲାଗୁ କରାଯାଇଥିଲା ।


 

ସେହିପରି ଦୈନିକ ଅର୍ଥନୀତିକ ସମ୍ୱାଦପତ୍ର ‘ବିଜିନେସ ଷ୍ଟାଣ୍ଡାର୍ଡ’ରେ କାର୍ଯ୍ୟରତ ବାର୍ଷିକ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ବେତନଭୋଗୀ ଏବଂ ‘ହିନ୍ଦୁସ୍ଥାନ ଟାଇମ୍ସ’ର ଉଚ୍ଚ ବେତନଭୋଗୀଙ୍କ ୨୫ ପ୍ରତିଶତ ଯାଏଁ ଦରମାକାଟ ଲାଗୁ ନିମନ୍ତେ ନିଷ୍ପତ୍ତି ଗଣମାଧ୍ୟମ ପରିଧିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଖର୍ଚ୍ଚକାଟ ନିମନ୍ତେ ‘ଆଉଟଲୁକ’ ପତ୍ରିକାର ମୁଦ୍ରିତ ସଂସ୍କରଣ ଏପ୍ରିଲ ମାସରେ ଅସ୍ଥାୟୀଭାବେ ବନ୍ଦ କରିଦିଆଯାଇଥିଲା ।


 

ଟେଲିଭିଜନ ମଞ୍ଚରେ ନୂଆଦିଲ୍ଲୀ ଟେଲିଭିଜନ ‘ଏନଡ଼ିଟିଭି’ର କର୍ମଚାରୀମାନଙ୍କ କ୍ଷେତ୍ରରେ ୫୦ ପ୍ରତିଶତ ଦରମାକାଟ ହୋଇଥିଲା । ଇଣ୍ଟରନେଟ ମଞ୍ଚ ‘ଦି କ୍ୟୁଣ୍ଟ’ର ନିଯୁକ୍ତ ୨୦୦ କର୍ମଚାରୀ ମଧ୍ୟରୁ ୪୫ ଜଣଙ୍କୁ ଏପ୍ରିଲ ୧୫ରୁ ଅବୈତନିକ ଲମ୍ୱା ଛୁଟିରେ ପଠାଇ ଦିଆଯାଇଥିଲା । ଏମାନେ ଅନଲାଇନ ମଞ୍ଚର ଅଟୋମୋବାଇଲ ଓ ଟେକନୋଲଜି ବିଭାଗ ସମ୍ପାଦନାରେ ନିଯୁକ୍ତ ଥିଲେ । ‘ନେଟୱାର୍କ ୧୮’କୁ ମୁକେଶ ଆମ୍ୱାନୀଙ୍କ ରିଲାଏନ୍ସ ଇଣ୍ଡାଷ୍ଟ୍ରୀ ପରିଚାଳିତ ‘ଇଣ୍ଡିପେଣ୍ଡେଣ୍ଟ ମିଡ଼ିଆ ଟ୍ରଷ୍ଟ’ ୨୦୧୪ ମଧ୍ୟଭାଗରେ ଅଧିଗ୍ରହଣ କରିବା ଅବସରରେ ସେଥିରେ ଅବସ୍ଥାପିତ ରାଘବ ଭେଲ ଓ ରିତୁ କପୁର ‘ନେଟୱାର୍କ ୧୮’ ଛାଡ଼ି ୨୦୧୫ରେ ‘ଦି କ୍ୟୁଣ୍ଟ’ ଆରମ୍ଭ କରିଥିଲେ । ମହାମାରୀରେ ଖର୍ଚ୍ଚକାଟ ପାଇଁ ମଞ୍ଚ ପକ୍ଷରୁ ନିଉଜ ଏଜେନ୍ସି ଗ୍ରାହକ ଚାନ୍ଦା ପ୍ରଦାନ ବନ୍ଦ କରିଦେଇଥିବା ସ୍ଥଳେ ଏକ ଚ଼ତୁର୍ଥାଂଶ କର୍ମଚାରୀଙ୍କୁ ଏକ ରକମ ଛଟେଇ କରିଥିଲେ । ଏପରିକି ସେମାନଙ୍କୁ ପ୍ରତିଦ୍ୱନ୍ଦୀ ସମ୍ୱାଦ ମଞ୍ଚଗୁଡ଼ିକରେ ମୁକ୍ତ ସାମ୍ୱାଦିକତା ‘ଫ୍ରିଲାନ୍ସ’ କରିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ ।


 

ଭାରତୀୟ ଗଣମାଧ୍ୟମର ହାତଗଣତି କେତେଗୋଟି ମଞ୍ଚରେ ବ୍ୟାବସାୟିକ ପୁନଃବିନ୍ୟାସକଳ୍ପେ କର୍ମଚାରୀ ଛଟେଇ, ବାଧ୍ୟତାମୂଳକ ଛୁଟି ଓ ଦରମା କାଟ ଭଳି ନିଷ୍ପତ୍ତି ସମଗ୍ର ଗଣମାଧ୍ୟମ ପରିଧିରେ ପ୍ରତିଫଳିତ ହୋଇନଥିବା ତଥା ଏହାକୁ ସାମଗ୍ରୀକ ଚିତ୍ର ରୂପେ ଗ୍ରହଣଯୋଗ୍ୟ ନହୋଇଥିଲେହେଁ ଆଶଙ୍କା ଓ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ଅନ୍ୟାନ୍ୟ ପାଶ୍ଚାତ୍ୟରାଷ୍ଟ୍ରରେ ମହାମାରୀଜନିତ ଆର୍ଥିକ ମାନ୍ଦାବସ୍ଥା ଆକଳନରେ ସାମ୍ୱାଦିକମାନେ ନିଯୁକ୍ତି ହରାଇବା ସ୍ଥଳେ ଭାରତ ତଥା ଓଡ଼ିଶା ଭଳି ଆଞ୍ଚଳିକସ୍ତରରେ କିପରି ପ୍ରଭାବ ପକାଇବ ସେ ସଂପର୍କରେ ପରସ୍ପର ବିରୋଧୀ ବିଚାର ଚର୍ଚ୍ଚାକୁ ଆସିଥିଲା ।


 

ଏକ ପକ୍ଷରେ କୁହାଯାଉଛି ଯେ ପାଶ୍ଚାତ୍ୟ ଜଗତର ଗଣମାଧ୍ୟମ କ୍ଷେତ୍ରରେ ସୃଷ୍ଟ ଅଚଳାବସ୍ଥା ଭାରତକୁ ପୂର୍ଣ୍ଣ ପ୍ରଭାବିତ କରିନପାରେ । ଉଦାହରଣରେ ୨୦୦୮ରେ ଆର୍ଥିକ ମାନ୍ଦାବସ୍ଥାରେ ଭାରତର ମୁଦ୍ରଣ ଓ ଟେଲିଭିଜନ ମଞ୍ଚଗୁଡ଼ିକ ଯଥାରୀତି ଅଭିବୃଦ୍ଧି ହାର ଜାରୀ ରହିଥିଲା । ମହାମାରୀଜନିତ ପ୍ରଭାବ ଦେଶର ଇଂଲିଶ ସମ୍ୱାଦମଞ୍ଚଗୁଡ଼ିକରେ ତୀବ୍ର ଅନୁଭୂତ ହୋଇଥିବା ଦେଖାଯାଇଥିଲା । ପ୍ରକୃତ ପକ୍ଷେ ଦୀର୍ଘ ଦୁଇ ବର୍ଷ ଧରି ଦେଶରେ ଆର୍ଥିକ ମାନ୍ଦାବସ୍ଥା ହେତୁ ବହୁ ଗଣମାଧ୍ୟମ ମଞ୍ଚର ଅର୍ଥନୀତିକ ଅବସ୍ଥା ଭଲ ନଥିଲା । ବିଶେଷ କରି ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ଦୁଇ ତ୍ରୈୟମାସିକ ହିସାବ ଫର୍ଦ୍ଦରେ ବିଜ୍ଞାପନ ଆୟ କମି ଆସିଥିଲା । ତେଣୁ ମହାମାରୀଜନିତ କ୍ଷୟକ୍ଷତି ଭରଣା କରାଯାଇପାରି ନଥିଲା ।


 

ଅପରପକ୍ଷେ ଯେକୌଣସି ବ୍ୟାବସାୟିକ କାରଣରୁ ସାମ୍ୱାଦିକମାନେ ଚାକିରୀ ହରାଇବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ‘ଟାଇମ୍ସ ଅଫ ଇଣ୍ଡିଆ’ର ରବିବାସରୀୟ କ୍ରୋଡ଼ପତ୍ର ସମ୍ପାଦନାରେ ନୋନା ୱାଲିଆ ଦୀର୍ଘ ୨୪ ବର୍ଷ ଧରି ସଂପୃକ୍ତ ଥିଲେ । ପାଠକ ସମାଜରେ ସେ ଏକ ପରିଚିତ ନାମ । ହଠାତ ଦୀର୍ଘ କାଳ ନିଜର ସୃଜନ ସଂଭାରରେ ଗଢ଼ିଥିବା ସମ୍ୱାଦ ମଞ୍ଚରୁ ହଠାତ ବିଦାୟ ନେବା ନିଶ୍ଚିତ ଭାବେ ଏକ କଠିନ ସମୟ । ଛଟେଇ ପରେ ନିଜ ଫେସବୁକ ପୃଷ୍ଠାରେ ସେ ନିଜ ମନର ବେଦନା ପ୍ରକାଶ କରିଥିଲେ ।


 

ପାରମ୍ପରିକ ଭାବେ ସାମ୍ୱାଦିକମାନେ କାର୍ଯ୍ୟରତ ସମ୍ୱାଦ ମଞ୍ଚ ସହ ନିଜ ପରିଚିତି ଯୋଡ଼ି ଆସିଥାନ୍ତି । ଦେଶର ଅଧିକାଂଶ ମଧ୍ୟ-ବୟସ୍କ ସାମ୍ୱାଦିକ ନିଜ ବୃତ୍ତିରେ ଆତ୍ମୀକଭାବେ ନିୟୋଜିତ ହୋଇ ବିକଳ୍ପ କଳାକୌଶଳ ଆୟତ୍ତ ନିମନ୍ତେ ଧ୍ୟାନ ଦେଇନଥାନ୍ତି । ବୃତ୍ତିଗତ ଜୀବନର ମଧ୍ୟଭାଗରେ ନିଯୁକ୍ତି ହରାଇଲେ ପୁଣି ଥରେ ମନମୁତାବକ ପଦବୀରେ ପୁନଃନିଯୁକ୍ତ ହେବା ଅନେକଙ୍କ ପକ୍ଷେ ସଂଭବ ହୋଇନପାରେ । ଦୃତ ପରିବର୍ତ୍ତନଶୀଳ ସାମ୍ୱାଦିକତା ଉପତ୍ୟକାରେ ନିଜଲାଗି ଦ୍ୱିତୀୟ ଭବିଷ୍ୟତ ଗଢ଼ିବା ଦୁରୁହ ବ୍ୟାପାର । କାରଣ ପୂର୍ବ ଅଭିଜ୍ଞତାର ଚ଼ଉଠଭାଗ ପରିବର୍ତ୍ତିତ ପରିବେଶରେ କାର୍ଯ୍ୟରେ ଆସୁଥିବା ସ୍ଥଳେ ତିନି ଚଉଠ ନୂତନ କଳାକୌଶଳ ଆବଶ୍ୟକ ପଡ଼ିଥାଏ । ଏଥିଲାଗି ପୂର୍ବ ପ୍ରସ୍ତୁତି ଜରୁରୀ ।


 

ଭାରତୀୟ ଗଣମାଧ୍ୟମର ହାତଗଣତି ମଞ୍ଚରେ ସୃଷ୍ଟ ସମସ୍ୟା ସାମଗ୍ରୀକଭାବେ କେଉଁ ମାତ୍ରାରେ ପ୍ରତିଫଳିତ ହେବ ତାହା ସମୟ କହିବ । ତେବେ ଦାରୁଣ ନିଦାଘ ଏପ୍ରିଲ ୨୦୨୦ର ଅନୁଭୂତି ଯେ ସମ୍ଭାବ୍ୟ ଭବିଷ୍ୟତଲାଗି ଏକ ଚ଼େତାବନୀ ଏଥିରେ କେହି ଦ୍ୱିମତ ହେବେ ନାହିଁ ।               


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୭ ଏପ୍ରିଲ ୨୦୨୦


ତଥ୍ୟ:



Media houses sanction layoffs & pay cuts amid COVID-19 crisis. exchange4media.com. April 14, 2020.



<https://www.exchange4media.com/coronavirus-news/media-houses-sanction-layoffs-pay-cuts-amid-covid-19-crisis-103948.html>


 

Layoffs, pay cuts, leave without pay : COVID-19 hits Indian media. the newsminute.com. April 14, 2020



<https://www.thenewsminute.com/article/layoffs-pay-cuts-leave-without-pay-covid-19-hits-indian-media-122548>


 

Tiwari, Ayush. The Quint sends 45 staffers on indefinite leave without pay, TOI lays off 3 from Sunday magazine. newslaundry.com. April 13, 2020. 



<https://www.newslaundry.com/2020/04/13/the-quint-sends-45-staffers-on-indefinite-leave-without-pay-toi-lays-off-3-from-sunday-magazine>

ପରିବର୍ତ୍ତିତ ପରିବେଶରେ ସମ୍ୱାଦପତ୍ର

ମହାମାରୀ-ପର ଅବସ୍ଥାରେ ଓଡ଼ିଆ ସାମ୍ୱାଦିକତାରେ ବିଘଟନ ସୂତ୍ରପାତର ବିଭିନ୍ନ କାରଣ ମଧ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି ଏହି କ୍ଷେତ୍ରରେ ଗୁଣାତ୍ମକ ଅବନତି ମୁଖ୍ୟ ସ୍ଥାନ ଅଧିକାର କରେ । ବିଂଶ ଶତାଦ୍ଦୀର ଅଷ୍ଟମ ଦଶକ ମଧ୍ୟଭାଗରେ ରାଜ୍ୟରେ ମୁଦ୍ରଣ ଶିଳ୍ପର ଆଧୁନୀକରଣ ପରେ ପାରମ୍ପରିକ ଶିଶା ଅକ୍ଷର ଯୋଡ଼େଇ ଏବଂ ସେଥିନିମନ୍ତେ ଦୈନିକ ସମ୍ୱାଦପତ୍ର ପ୍ରକାଶନ କାର୍ଯ୍ୟରେ ବହୁ ସଂଖ୍ୟକ ଅର୍ଦ୍ଧଶିକ୍ଷିତ ଶ୍ରମିକ ନିଯୁକ୍ତି ଓ ପରିଚାଳନାଗତ ସମସ୍ୟାରୁ ମୁକ୍ତି ମିଳିଥିଲା । ଫଳରେ ଆଧୁନିକ ଡ଼େସ୍କଟପ ପବ୍ଳିକେସନ ଉପଯୋଗରେ ଅଳ୍ପ ସଂଖ୍ୟକ ଶିକ୍ଷିତ କର୍ମଚାରୀଙ୍କ ସହାୟତାରେ ସମ୍ୱାଦପତ୍ର ପୃଷ୍ଠା ପ୍ରଯୋଜନା ସଂଭବପର ହୋଇପାରିଲା ।


 

ସେହିପରି ଦୈନିକ ସମ୍ୱାଦପତ୍ର ମୁଦ୍ରଣ ନିମନ୍ତେ ରୋଟାରୀ ଅଫସେଟ ପ୍ରେସର ସୁବିଧା ସମ୍ୱାଦପତ୍ର ପ୍ରକାଶନକୁ ସହଜସାଧ୍ୟ କରିବା ସଙ୍ଗେ ସମୟକ୍ରମେ ମୁଦ୍ରଣ ଯନ୍ତ୍ର ସ୍ଥାପନ ବିନା ଭଡ଼ାସୂତ୍ରରେ ସମ୍ୱାଦପତ୍ର ମୁଦ୍ରଣ ସୁଯୋଗ ସୃଷ୍ଟି ହେଲା । ଏହି ସୁବିଧାକୁ ଆଧାରକରି ଅତି ଅଳ୍ପ ଆର୍ଥିକ ନିବେଶରେ ବହୁସଂଖ୍ୟକ ଦୈନିକ ସମ୍ୱାଦପତ୍ର ପ୍ରକାଶନ ଆରମ୍ଭ ହେଲା । ଓଡ଼ିଆରେ ୧୯୮୪-୮୫ରେ ନୂତନ ସାମ୍ୱାଦିକତା ଅଭ୍ୟୁଦୟ ବେଳକୁ ଦୈନିକ ଓଡ଼ିଆ ସମ୍ୱାଦପତ୍ର ସଂଖ୍ୟା ଦଶରୁ କମ ଥିବା ସ୍ଥଳେ ପରବର୍ତ୍ତୀ କୋଡ଼ିଏ ବର୍ଷରେ ପଚାଶ ଏବଂ ପଞ୍ଚତିରିଶି ବର୍ଷପରେ ୨୦୨୦ ବେଳକୁ ଅଶୀରୁ ଉର୍ଦ୍ଧ୍ୱରେ ପହଞ୍ଚିଲା ।


 

ଗଣଯୋଗାଯୋଗ ପରିଧିରେ ମୁଦ୍ରିତ ଦୈନିକ ସମ୍ୱାଦପତ୍ର ସଂଖ୍ୟା ବୃଦ୍ଧି ସାମ୍ୱାଦିକତାର ଗୁଣାତ୍ମକ ବିକାଶର ପରିପନ୍ଥୀ । ସାମ୍ୱାଦିକତା ମୂଳତଃ ଏକ ସୃଜନ ପ୍ରକ୍ରିୟା । ଉଚ୍ଚମାନର ସାମ୍ୱାଦିକତା ପ୍ରତିଭାଧର ସାମ୍ୱାଦିକ ଆବଶ୍ୟକ କରେ । ତେବେ ସୀମିତ ଭୌଗଳିକ ପରିବେଶରେ ବହୁ ସଂଖ୍ୟକ ଦୈନିକ ସମ୍ୱାଦପତ୍ର ପ୍ରକାଶନ ନିମନ୍ତେ ଆବଶ୍ୟକୀୟ ଉତ୍ସାହୀ ଓ ଉତ୍ସର୍ଗୀକୃତ ସାମ୍ୱାଦିକ ପାଇବା ସଂଭବପର ନୁହେଁ । ପ୍ରକାଶନରେ ଭିଡ଼ ଯେନତେନ ପ୍ରକାରେଣେ ପ୍ରତିଟି ସଂସ୍କରଣର ପୃଷ୍ଠା ବିନ୍ୟାସ ଅବସରରେ ମୌଳିକ ସାମ୍ୱାଦିକତା ମୂଲ୍ୟବୋଧ ସହ ସାଲିସ କରିବାକୁ ପଡ଼ିଥାଏ । ବହୁସଂଖ୍ୟକ ଦୈନିକ ସମ୍ୱାଦପତ୍ର ଅବହେଳିତ ସ୍ଥିତିରେ ଦୀର୍ଘକାଳ ଧରି ପ୍ରକାଶନ ଜାରୀ ରଖିବା ଫଳରେ ସାମଗ୍ରୀକଭାବେ ସମାଜ ଉପରେ ପ୍ରତିକୂଳ ପ୍ରଭାବର କାରଣ ପାଲଟିଥିବା ଅନୁମାନ କରାଯାଏ ।


 

ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ଏକ ବ୍ୟୟବହୁଳ ବ୍ୟବସାୟ । ଆବଶ୍ୟକୀୟ ନିବେଶ ଅଭାବରେ ସମ୍ୱାଦପତ୍ର ପ୍ରକାଶକମାନଙ୍କୁ ପ୍ରକାଶନ ବଞ୍ଚାଇ ରଖିବା ନିମନ୍ତେ ଅଣ-ସାମ୍ୱାଦିକ କାର୍ଯ୍ୟଧାରାରେ ସଂପୃକ୍ତ ରହିବାକୁ ବାଧ୍ୟ କରିଥାଏ । ଏହା ସାମ୍ୱାଦିକତାରେ ବିଶୃଙ୍ଖଳାର ସୂତ୍ରଧର ।


 

ଓଡ଼ିଆ ମୁଦ୍ରିତ ଦୈନିକ ସମ୍ୱାଦପତ୍ରଗୁଡ଼ିକରେ ଅନ୍ୟ ଦୁଇ ଦୁର୍ବଳତା ରୂପେ ପ୍ରଚଳିତ ରାଜ୍ୟସ୍ତରୀୟ ଅଭିମୁଖ୍ୟ ‘ଷ୍ଟେଟ ସେଣ୍ଟ୍ରିକ’ ସଂପାଦକୀୟ ଓ ସରକାରୀ ବିଜ୍ଞାପନଆଶ୍ରିତ ନୀତି ଚ଼ିହ୍ନଟ କରାଯାଇପାରେ । ରାଜ୍ୟର ରାଜଧାନୀ ପରିବର୍ତ୍ତେ ଭୌଗଳିକ ପରିସୀମାର ବିଭିନ୍ନ ପ୍ରାନ୍ତରେ ଦୈନିକ ସମ୍ୱାଦପତ୍ର ପ୍ରକାଶିତ ହୋଇ ସଂପୃକ୍ତ ଅଞ୍ଚଳର ସାମ୍ୱାଦିକତା ପ୍ରତି ଲକ୍ଷ୍ୟ ଧାର୍ଯ୍ୟ କଲେ ସାମ୍ୱାଦିକତାର ବ୍ୟାପକ ସଂପ୍ରସାରଣ ସମ୍ଭବପର ହୋଇପାରିଥାନ୍ତା । ଅନ୍ତତଃପକ୍ଷେ ଓଡ଼ିଆ ସାମ୍ୱାଦିକତା ତାହାର ସାମାଜିକ ଦାୟବଦ୍ଧତା ପୂରଣ କରିବାରେ ସାମର୍ଥ୍ୟ ହାସଲ କରିପାରନ୍ତା । ପ୍ରକାରନ୍ତେ ଆଞ୍ଚଳିକ ପାଠକ ସମାଜର ଆଞ୍ଚଳିକ ସମ୍ୱାଦପତ୍ରର ବ୍ୟବସାୟ ପରିଧିରେ ଯୋଗଦାନ ରହନ୍ତା । ତେବେ ସମୁଦାୟ ୮୩ ଗୋଟି ଦୈନିକ ସମ୍ୱାଦପତ୍ରରୁ ଆର୍ଦ୍ଧାଧିକ ରାଜଧାନୀରୁ ପ୍ରକାଶ ପାଉଥିବା ହେତୁ ପୁନାରାବୃତ୍ତ ସାମ୍ୱାଦିକତା ଓ ଦୁର୍ବଳ ବ୍ୟବସାୟରେ ଆକ୍ରାନ୍ତ ।


 

ସେହିପରି ପ୍ରକାଶିତ ଦୈନିକ ସମ୍ୱାଦପତ୍ରରୁ ଏକାଂଶ ଯଦି କୃଷି, ବାଣିଜ୍ୟବ୍ୟବସାୟ, ଶିକ୍ଷା, କ୍ରୀଡ଼ା ବା ମନୋରଞ୍ଜନ ଭଳି ବିଷୟଭିତ୍ତିକ ସାମ୍ୱାଦିକତାକୁ ପାଥେୟକରି ଗଢ଼ି ଉଠିଥାନ୍ତେ ତେବେ ସାମ୍ୱାଦିକତାରେ ବିବିଧତା କାରଣରୁ ରୁଚ଼ିସମ୍ପନ୍ନ ପାଠକ ସୃଷ୍ଟି କରିବା ସମ୍ଭବପର ହୋଇପାରିଥାନ୍ତା ।


 

ସରକାରୀ ବିଜ୍ଞାପନକୁ ପାଥେୟ କରି ଦୈନିକ ସମ୍ୱାଦପତ୍ର ପ୍ରକାଶନ ଉଭୟ ପ୍ରକାଶକ ଓ ସାମ୍ୱାଦିକତା ପ୍ରତି ଘୋର ବିପତ୍ତିର କାରଣ । ସ୍ୱାଧୀନୋତ୍ତର ଭାରତୀୟ ସାମ୍ୱାଦିକତାରେ ପାଠକ ସମ୍ୱାଦପତ୍ର ପୃଷ୍ଠାରେ ପ୍ରଶାସନିକ ତୃଟିବିଚ୍ୟୁତି ଓ ରାଜନୀତିକ ହଟଚମଟର ଧାରା ବିବରଣୀ ଆଶା କରେ । ରାଷ୍ଟ୍ରର ସ୍ଥିତାବସ୍ଥା ସଂପର୍କରେ ଅବଗତ ହେବା ତାହାକୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗଦାନ ନିମନ୍ତେ ଉପାଦାନ ଯୋଗାଏ । ତେବେ ସରକାରୀ ବିଜ୍ଞାପନ ଲୋଭରେ ସଂଖ୍ୟାଧିକ ସମ୍ୱାଦପତ୍ର ସରକାର ତୃଷ୍ଟିକରଣରେ ସଂପୃକ୍ତ ରହିଲେ ଆପାତତଃ ସାମ୍ୱାଦିକତା ପାଠକୀୟ ସ୍ୱୀକୃତି ହରାଏ । ଏହା ଗ୍ରାହକଚାନ୍ଦା ଆଦାୟରେ ଅନ୍ତରାୟ ସାଜେ । ସାମ୍ୱାଦିକତା ଆତ୍ମନିର୍ଭରଶୀଳ ହୋଇପାରେନା ।


 

ଅପରପକ୍ଷେ ସରକାର ବିଜ୍ଞାପନ ଦ୍ୱାରା କେତେକ ସମ୍ୱାଦପତ୍ରକୁ ଅନୁଗ୍ରହିତ କରିବାପରେ ଅନ୍ୟମାନେ ବିଜ୍ଞାପନ ଲୋଭରେ ପ୍ରଶସ୍ତିଗାନରେ ନିଜକୁ ସୀମିତ ରଖନ୍ତି । ନା ସେମାନେ ପର୍ଯ୍ୟାପ୍ତ ପରିମାଣରେ ବିଜ୍ଞାପନ ଆୟ କରିପାରନ୍ତି ନା ପ୍ରସାର ସଂଖ୍ୟା ବୃଦ୍ଧି କରି ଗ୍ରାହକଚାନ୍ଦା କିମ୍ୱା ବ୍ୟାବସାୟିକ ବିଜ୍ଞାପନ ଆୟ ଆୟତ୍ତ କରିପାରନ୍ତି । ସଂଖ୍ୟାଧିକ ଦୈନିକ ସମ୍ୱାଦପତ୍ରଙ୍କ ତ୍ରିଶଙ୍କୁ ଅବସ୍ଥା ସାମ୍ୱାଦିକତାର ମାନହାନୀରେ ପର୍ଯ୍ୟବସିତ ହୁଏ ।


 

ଏକ ପକ୍ଷରେ ଲକଡ଼ାଉନଜନିତ ମହାମାରୀ-ପର ଅବସ୍ଥାରେ ଦୀର୍ଘ ଦିନ ଧରି ପରିବହନ ଅସୁବିଧା ହେତୁ ଆଞ୍ଚଳିକ ସମ୍ୱାଦପତ୍ରଗୁଡ଼ିକର ପ୍ରସାର ସଂଖ୍ୟା ଅର୍ଦ୍ଧେକ କମି ଆସିବା ଏବଂ ଅପରପକ୍ଷରେ ଜନସାଧାରଣ ଗୃହାବଦ୍ଧ ଅବସ୍ଥାରେ ଟେଲିଭିଜନ ଓ ସୋସିଆଲ ମିଡ଼ିଆ ବହୁଳ ବ୍ୟବହାର କରିବା ଅବସରରେ ସରକାର ନିଜ ବିଜ୍ଞାପନର ବହୁଳ ପ୍ରଚାର ନିମନ୍ତେ ସେଦିଗକୁ ଢଳିବା ଆରମ୍ଭ କରିଦେଇଥିବା ଲକ୍ଷ୍ୟ କରାଯାଏ । ଦେଶରେ ୮୨ ପ୍ରତିଶତ ଟେଲିଭିଜନ ଦର୍ଶକ, ୩୨ ପ୍ରତିଶତ ସୋସିଆଲ ମିଡ଼ିଆ ଉପଭୋକ୍ତା ଓ ୩୬ ପ୍ରତିଶତ ସମ୍ୱାଦପତ୍ର ପାଠକ ଗଣିତ କରାଯାଉଥିବା ସ୍ଥଳେ ଭବିଷ୍ୟତରେ ଇଣ୍ଟରନେଟର ବ୍ୟାପ୍ତି ଡ଼ିଜିଟାଲ ମଞ୍ଚ ଗୁଡ଼ିକ ପ୍ରସାର ଦୃଷ୍ଟିରୁ ବିକଳ୍ପ ବିଜ୍ଞାପନ ମଡ଼େଲ ଗଢ଼ି ତୋଳିବା ଆଶା କରାଯାଇପାରେ । ଏହି ପରିବେଶରେ ମୁଦ୍ରିତ ସମ୍ୱାଦପତ୍ର କ୍ରମଶଃ ପ୍ରସାର ହରାଇବା ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି । ମୌଳିକ ଭାବେ କମ ପ୍ରସାର ଉଭୟ ବେସରକାରୀ ଓ ସରକାରୀସ୍ତରରେ କମ ବିଜ୍ଞାପନରେ ସୀମିତ ରହିବା ଯୁକ୍ତିଯୁକ୍ତ ।


 

ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ଶିଳ୍ପରେ ବିଜ୍ଞାପନ ଆୟ କମି ଆସିଲେ ସୀମିତ କଳେବର ପାଇଁ ପୃଷ୍ଠା ସଂଖ୍ୟା କାଟ ଓ ଗ୍ରାହକ ଚାନ୍ଦା ବୃଦ୍ଧି ବହୁଳ ପ୍ରଚଳିତ ଅଭ୍ୟାସ । ସମ୍ୱାଦପତ୍ର ବିକ୍ରୀ ଉପରେ ନିର୍ଭରଶୀଳ ହେଲେ ବିକ୍ରୀ ବୃଦ୍ଧି ନିମନ୍ତେ ଗୁଣାତ୍ମକ ସାମ୍ୱାଦିକତା ଆବଶ୍ୟକ । ଉପଭୋକ୍ତା ବଜାରରେ ଦ୍ରବ୍ୟ ଗୁଣ ଅନୁଯାୟୀ ମୂଲ୍ୟ ସ୍ଥିରୀକୃତ ହୋଇଥାଏ । ପାଠକ ଯାହା ଜାଣିବାକୁ ଚାହୁଁଛନ୍ତି ତାହା ଯେଉଁ ସମ୍ୱାଦପତ୍ର ପୃଷ୍ଠାରେ ପାଇବେ ତାହା କିଣିବେ । ବିଜ୍ଞାପନ ଅର୍ଥରେ ସମୃଦ୍ଧ ୧୬ ରୁ ୨୪ ପୃଷ୍ଠା ବିଶିଷ୍ଟ ସମ୍ୱାଦପତ୍ର ପାଞ୍ଚଟଙ୍କାରେ କିଣିବାକୁ ପାଉଥିବା ବେଳର ଉଦାସୀନତା ୮ ରୁ ୧୨ ପୃଷ୍ଠା ସଂସ୍କରଣ ସାତରୁ ଦଶଟଙ୍କା ଦେଇ କିଣିବାବେଳେ ବଦଳିଯିବା ସ୍ୱାଭାବିକ ।


 

ଓଡ଼ିଆ ମୁଦ୍ରିତ ଦୈନିକ ସମ୍ୱାଦପତ୍ର କ୍ଷେତ୍ରରେ ମହାମାରୀ-ପର ଅବସ୍ଥାରେ ବହୁ ସଂଖ୍ୟକ କ୍ଷୁଦ୍ର ଓ ମଧ୍ୟମ ବର୍ଗ ସମ୍ୱାଦପତ୍ରର ପୃଷ୍ଠା ସଂଖ୍ୟା ହ୍ରାସ ଅନିବାର୍ଯ୍ୟ ହୋଇପଡ଼ିଥିଲେ ହେଁ ସରକାରୀ ବିଜ୍ଞାପନ ପାଇବା ଯୋଗ୍ୟତା ହାସଲ ନିମନ୍ତେ ପ୍ରତ୍ୟେକ ସଂସ୍କରଣରେ ନିର୍ଦ୍ଧାରିତ ପୃଷ୍ଠା ସଂଖ୍ୟା ସଂଯୋଗ ଜାରୀ ରହିବ । ସେହିପରି ଆଙ୍ଗୁଠିଗଣତି ବହୁଳ ପ୍ରସାରିତ ସମ୍ୱାଦପତ୍ରର ଲକଡ଼ାଉନ ଅବସରରେ ପ୍ରସାର ସଂଖ୍ୟା ହ୍ରାସ ପାଇଥିବା ସ୍ଥଳେ ମହାମାରୀ-ପର ଅବସ୍ଥାରେ ତତ୍ କାଳ ପ୍ରସାରସଂଖ୍ୟା ବୃଦ୍ଧିଲାଗି ବିକଳ୍ପ ପଦକ୍ଷେପ ଗ୍ରହଣ ସମ୍ଭବ ହୋଇନପାରେ । ସେମାନଙ୍କ ବ୍ୟାବସାୟିକ ବିଜ୍ଞାପନ ଆୟ ହ୍ରାସ କାରଣରୁ ପ୍ରସାର ଓ ପାଠକ ସଂଖ୍ୟା ବୃଦ୍ଧି ଗୁରୁତ୍ୱବହନ କରିବ ନାହିଁ । ଫଳରେ ଦୈନିକ ସମ୍ୱାଦପତ୍ରମାନ ନିୟମିତ ସୀମିତ ସଂଖ୍ୟାରେ ମୁଦ୍ରିତ ହେବା ଏବଂ ପ୍ରସାରଣ କେବଳ ନିର୍ଦ୍ଧିଷ୍ଟ ସଂଖ୍ୟାରେ ପାଠକଙ୍କ ମଧ୍ୟରେ ସୀମିତ ରହିବା ପରିସ୍ଥିତି ସୃଷ୍ଟିର ଆଶଙ୍କା କରାଯାଇପାରେ ।


 

ବିଶ୍ୱବ୍ୟାପୀ ମହାମାରୀର ମୁକାବିଲାରେ ଖର୍ଚ୍ଚକାଟ ପାଇଁ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଥିବା ଅବସରରେ ଓଡ଼ିଶାରେ ତାହାର ପ୍ରଭାବ ପଡ଼ିବ ନାହିଁ । କାରଣ ମୂଳରୁ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକରେ କମ ସଂଖ୍ୟକ କର୍ମଚାରୀ ନିଯୁକ୍ତ ଏବଂ ସେମାନଙ୍କ କାର୍ଯ୍ୟଭାର ତୁଳନାତ୍ମକଭାବେ ଅଧିକ । ସାମ୍ୱାଦିକତାରେ ଗୁଣାତ୍ମକ ବିକାଶଲାଗି ଅଧିକ ସାମ୍ୱାଦିକ ନିଯୁକ୍ତି ଅଭାବରେ ମୁକ୍ତ ବୃତ୍ତି ସାମ୍ୱାଦିକଙ୍କ ସଂପୃକ୍ତି ଧାରା ଓଡ଼ିଶାରେ ଲାଗୁ ହୋଇପାରୁ ନାହିଁ । କାରଣ ସେମାନଙ୍କୁ ପାରିଶ୍ରମିକ ଦେବା ନିମନ୍ତେ ସମ୍ୱାଦପତ୍ର ଅର୍ଥନୀତିରେ ବ୍ୟୟବରାଦ ହୋଇନଥାଏ । ଏହି କ୍ଷେତ୍ରରେ କେତେକ ସମ୍ୱାଦପତ୍ର ଅସମର୍ଥ ତ ଅନ୍ୟ କେତେକ ସମର୍ଥ ଥିଲେହେଁ କୁଣ୍ଠିତ । ଅବଶ୍ୟ କର୍ମଚାରୀଙ୍କ ଅଭାବରେ ମୁକ୍ତବୃତ୍ତି ସାମ୍ୱାଦିକଙ୍କୁ ବିନିଯୋଗ କରି ସକ୍ରିୟ ସମ୍ପାଦନା ପରିଚାଳନା ‘ଏକ୍ଟିଭ ଏଡ଼ିଟୋରିଆଲ ମ୍ୟାନେଜମେଣ୍ଟ’ ଓ ସାମାନ୍ୟ ପାରିତୋଷିକ ପ୍ରଦାନରେ ଉଚ୍ଚମାନର ସମ୍ୱାଦ ପ୍ରଯୋଜନା ସଂଭବପର ହୋଇପାରନ୍ତା ।


 

ମହାମାରୀ-ପର ଅବସ୍ଥାରେ ଓଡ଼ିଆ ମୁଦ୍ରିତ-ଦୈନିକ ସମ୍ୱାଦପତ୍ର ମଧ୍ୟରୁ କେତେକ ବନ୍ଦ ହୋଇଯିବା ଆଶା କ୍ଷୀଣ । ବହୁ ସଂଖ୍ୟକ ସମ୍ୱାଦପତ୍ର ସରକାରୀ ବିଜ୍ଞାପନଆଶ୍ରିତ ମଡ଼େଲ ଗ୍ରହଣ କରିନେଇଥିବା ହେତୁ ସରକାରୀ ବିଜ୍ଞାପନ ନୀତି ଦ୍ୱାରା ହିଁ  ସେଗୁଡ଼ିକର ଅର୍ଥନୀତି ପ୍ରଭାବିତ ହୋଇଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତି ସମ୍ୱାଦପତ୍ର ଶିଳ୍ପ ଅନୁକୂଳ ମନୋଭାବ ପୋଷଣ କରୁଥିବା ହେତୁ ସରକାରୀ ମନୋଭାବରେ ପରିବର୍ତ୍ତନ ଆଶଙ୍କା ଟାଳି ଦେଇହୁଏ । ବିକଶିତ ରାଷ୍ଟ୍ରଗୁଡ଼ିକରେ ମହାମାରୀ ପ୍ରଭାବିତ ଆଞ୍ଚଳିକ ସମ୍ୱାଦ ମଞ୍ଚଗୁଡ଼ିକୁ ସରକାରୀ ପ୍ରୋତ୍ସାହନ ଦାବୀ କରାଯାଉଥିବା ସ୍ଥଳେ ଆମ ଦେଶରେ ସେହି ପ୍ରକ୍ରିୟା ଦୀର୍ଘଦିନରୁ ପ୍ରଚଳିତ ବୋଲି କହିବାକୁ ହେବ ।


 

ମହାମାରୀ-ପର ଅବସ୍ଥାରେ ପରିବର୍ତ୍ତିତ ପରିବେଶ ‘ନିଉ-ନରମାଲ’ ଆକଳନ କରାଯାଉଛି । ଅର୍ଥାତ ମହାମାରୀ-ପୂର୍ବ ଅବସ୍ଥାରେ ମୁଦ୍ରିତ ଦୈନିକ ସମ୍ୱାଦପତ୍ର ଶିଳ୍ପ, ଅର୍ଥନୀତି, ସୃଜନ, ଆଙ୍ଗିକ ଓ ପ୍ରଭାବ ଯେଉଁ ସ୍ତରରେ ରହିଥିଲା ମହାମାରୀ-ପର ଅବସ୍ଥାରେ ପୁଣି ଥରେ ତାହାର ପୁନରାବୃତ୍ତି ସଂଭବପର ନହେବା ଗଣମାଧ୍ୟମ ସମୀକ୍ଷକମାନେ ବିଶ୍ୱାସ କରୁଛନ୍ତି । ପରିବର୍ତ୍ତିତ ପରିବେଶରେ ସାମାଜିକ, ରାଜନୀତିକ ଓ ଆର୍ଥିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନମୂଳକ ପଦକ୍ଷେପମାନ ଗ୍ରହଣ କରାଯାଉଛି ଏବଂ ସଂଖ୍ୟାଧିକ ଏଭଳି ସଂସ୍କାରମୂଳକ ନୀତିକୁ ସମର୍ଥନ କରୁଥିବା ପରିଲକ୍ଷିତ ହେଉଛି । ଶିକ୍ଷା, ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ବାଣିଜ୍ୟବ୍ୟବସାୟ, ସାଂସ୍କୃତିକ ଅନୁଷ୍ଠାନ ଯାଏଁ ପ୍ରତ୍ୟେକ କ୍ଷେତ୍ରରେ ଇନଫରମେସନ ଟେକନୋଲଜିର ପ୍ରଭାବ ଏହି ପରିବର୍ତ୍ତନର ସୂତ୍ରଧର ସାଜିଛି ଏବଂ ସମ୍ୱାଦପତ୍ର ମଧ୍ୟ ଏଥିରେ ସାମିଲ ହେବା ସୁନିଶ୍ଚିତ ।                


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୨୦


ତଥ୍ୟ:



Sharan, Diwesh. Beyond the gloom and gloom of Covid-19. Business Standard  (Bhubaneswar Edition). July 3, 2020.

ନିର୍ଣ୍ଣାୟକ ମୋଡ଼ରେ ସମ୍ୱାଦପତ୍ର ପ୍ରକାଶନ

ମହାମାରୀରେ ମୁଖ୍ୟତଃ ମୁଦ୍ରିତ ଇଂଲିଶ ସମ୍ୱାଦପତ୍ରର ଦୁର୍ଦ୍ଦଶା ବର୍ଣ୍ଣନା କରି ଦୁଇଜଣ ବରିଷ୍ଠ ସାମ୍ୱାଦିକ ଏନ୍.ରାମ ଓ ଶେଖର ଗୁପ୍ତାଙ୍କ ଅଭିମତ ଦୁଇଗୋଟି ପ୍ରମୁଖ ଅନଲାଇନ ନିଉଜ ପୋର୍ଟାଲରେ ପ୍ରକାଶିତ ହୋଇଛି । ଏନ.ରାମ ଇଂଲିଶ ଦୈନିକ ‘ଦି ହିନ୍ଦୁ’ର ନଅବର୍ଷ ଧରି ମୁଖ୍ୟ-ସଂପାଦକ ରହି ଆସିଥିଲେ ଏବଂ ଅଧୁନା ‘ଦି ହିନ୍ଦୁ ଗୃପ ଅଫ ପବ୍ଳିକେସନ୍ସ’ର ଡାଇରେକ୍ଟର ପଦବୀରେ ଆସୀନ । ଶେଖର ଗୁପ୍ତା ୧୯ ବର୍ଷ ଧରି ‘ଦି ଇଣ୍ଡିଆନ ଏକ୍ସପ୍ରେସ’ର ମୁଖ୍ୟ-ସଂପାଦକ କାର୍ଯ୍ୟଭାର ସମ୍ଭାଳିଥିଲେ ଏବଂ ଅଧୁନା ଅନଲାଇନ ନିଉଜ ପୋର୍ଟାଲ ‘ଦି ପ୍ରିଣ୍ଟ’ର ମୁଖ୍ୟ-ସଂପାଦକ । ଉଭୟ ଭାରତୀୟ ସମ୍ୱାଦପତ୍ର ପ୍ରକାଶନ ସହ ଦୀର୍ଘ କାଳ ଜଡିତ ଏବଂ ଉଭୟଙ୍କ ସ୍ପଷ୍ଟ ମତ ପ୍ରକାଶଲାଗି ଅତୀତରୁ ଖ୍ୟାତି ରହିଛି ।


 

ଏନ.ରାମଙ୍କ ଅଭିମତ ଏକ ସାକ୍ଷାତକାର ମାଧ୍ୟମରେ ୨୦୨୦ ଜୁଲାଇ ଶେଷ ସପ୍ତାହରେ ଏବଂ ଶେଖର ଗୁପ୍ତାଙ୍କ ଅଭିମତ ଏକ ଆଲୋଚ଼ନା ଭିଡ଼ିଓ ମାଧ୍ୟମରେ ୨୦୨୦ ଏପ୍ରିଲ ଚତୁର୍ଥ ସପ୍ତାହରେ ପ୍ରକାଶିତ । ଶେଖର ଗୁପ୍ତା ବିଜ୍ଞାପନ-ଆଶ୍ରିତ ସମ୍ୱାଦପତ୍ର ପ୍ରକାଶନ ମଡେଲ କିପରି ମହାମାରୀରେ ଧରାଶାୟୀ ହୋଇଛି ବର୍ଣ୍ଣନା କରିଥିବା ସ୍ଥଳେ ଏନ.ରାମ ଏତାଦୃଶ ଦୁରାବସ୍ଥାର କାରଣ ଓ ସମାଧାନ ନିମନ୍ତେ ସମ୍ୱାଦପତ୍ରଗୁଡ଼ିକ ପ୍ରକାଶନ ନୀତି ପରିବର୍ତ୍ତନ କରିବା ସମୟ ଉପନୀତ ହୋଇଥିବା ଦର୍ଶାଇଛନ୍ତି । ପ୍ରତ୍ୟେକଙ୍କ ବିଚାରଧାରାକୁ ପାଞ୍ଚଗୋଟି ଲେଖା ପ୍ରସଙ୍ଗରେ ବିଭକ୍ତ କରି ଆଲୋଚ଼ନା କରାଯାଇପାରେ ।


 

ଶେଖର ଗୁପ୍ତାଙ୍କ ଅନୁଶୀଳନରେ ପ୍ରଥମତଃ, କୋଭିଡ଼-୧୯ ମହାମାରୀଜନିତ ଜନପଦ ବନ୍ଦ ‘ଲକଡ଼ାଉନ’ ହେତୁ ବିଭିନ୍ନ ସାମଗ୍ରୀର କିଣାବିକା ବ୍ୟାହତ କାରଣରୁ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶନ ସ୍ୱାଭାବିକଭାବେ ସାମୟିକ ବନ୍ଦ ରହିଲା । ଏତଦ୍ୱାରା ବିଜ୍ଞାପନ ଆଶ୍ରିତ ଗଣମାଧ୍ୟମ ମଞ୍ଚଗୁଡ଼ିକର ବ୍ୟବସାୟ ପ୍ରଭାବିତ ହେଲା । ଏଭଳି ବିଶୃଙ୍ଖଳିତ ପରିବେଶରୁ ସୃଷ୍ଟ ମନ୍ଦାବସ୍ଥା ଦାର୍ଘକାଳ ଧରି ବଳବତ୍ତର ରହିବା ଆକଳନ କରାଯାଉଥିବା ସ୍ଥଳେ ପ୍ରକାଶନ ବ୍ୟବସାୟରେ ଅସ୍ଥିରତା ଯୁକ୍ତିଯୁକ୍ତ । ବ୍ୟାବସାୟିକ ସଂକଟରେ ସମ୍ମୁଖୀନ ହୋଇ ଉତ୍ପାଦକମାନେ ଖର୍ଚ୍ଚକାଟ ନିଷ୍ପତ୍ତି ଗ୍ରହଣ କରିଥାନ୍ତି । ଏଥିରେ ବିଜ୍ଞାପନ ବ୍ୟୟ ହ୍ରାସ ପ୍ରମୁଖ ସ୍ଥାନ ଅଧିକାର କରେ । ଉଭୟ କାରଣ ଗଣମାଧ୍ୟମ ମଞ୍ଚଗୁଡ଼ିକ ପରିଚାଳନା ନିମନ୍ତେ ଆଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିବ ।


 

ଦ୍ୱିତୀୟତଃ, ଦିଲ୍ଲୀରେ ବହୁଳ ପ୍ରସାରିତ ଇଂଲିଶ ସମ୍ୱାଦପତ୍ର ‘ଟାଇମ୍ସ ଅଫ ଇଣ୍ଡିଆ’ର ଉଦାହରଣ ଦେଇ ସେ ବର୍ଣ୍ଣନା କରିଛନ୍ତି ଯେ ଏହାର ଦୈନିକ ସଂସ୍କରଣ ସାଧାରଣ ସମୟରେ ୪୮ ପୃଷ୍ଠା କଳେବର ପ୍ରକାଶିତ ହୋଇଥାଏ । ଏହା ଖଣ୍ଡପିଚ୍ଛା ପାଞ୍ଚ ଟଙ୍କାରେ ବିକ୍ରୀ ହେଉଥିବା ସ୍ଥଳେ ୪୦ ପ୍ରତିଶତ ବଣ୍ଟନ କମିଶନ ବାବଦରେ ଯାଏ । ପୃଷ୍ଠା ପିଚ୍ଛା ୨୫ ପଇସା ମୁଦ୍ରଣ ବାବଦରେ ବ୍ୟୟ ହିସାବ କରାଗଲେ ୪୮ ପୃଷ୍ଠା ମୁଦ୍ରଣ ନିମନ୍ତେ ୧୨ ଟଙ୍କା ବ୍ୟୟ ସାଙ୍ଗକୁ ପରିବହନ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଅତିକମରେ ତିନି ଟଙ୍କା ହିସାବ କରାଗଲେ ଖଣ୍ଡପିଚ୍ଛା ଉତ୍ପାଦନ ଖର୍ଚ୍ଚ ୧୫ ଟଙ୍କାରେ ପହଞ୍ଚେ । ଅର୍ଥାତ ତିନି ଟଙ୍କା ଗ୍ରାହକ ଦେୟ ସହ ୧୨ ଟଙ୍କା ଯାଏଁ ବିଜ୍ଞାପନ ଆୟ ଯୋଡ଼ିଲେ ଯାଇ ପ୍ରକାଶନ ସମ୍ଭବ । କୌଣସି କାରଣରୁ ବିଜ୍ଞାପନ ଆୟ ବନ୍ଦ ହୋଇଗଲେ ତାହାର ପ୍ରତିକୂଳ ପ୍ରଭାବ ସମ୍ୱାଦପତ୍ର ପ୍ରକାଶନ ଉପରେ ସିଧାସଳଖ ପଡ଼େ ।


 

ତୃତୀୟତଃ, ଇଂଲିଶ ସମ୍ୱାଦପତ୍ର କ୍ଷେତ୍ରରେ ‘ଟାଇମ୍ସ ଅଫ ଇଣ୍ଡିଆ ଗୃପ’ ବିଗତ ଶତାଦ୍ଦୀର ଶେଷ ଦଶକ ଆରମ୍ଭରୁ ଗ୍ରାହକ ଦେୟ ସର୍ବନିମ୍ନ ସ୍ତରକୁ ଟାଣିଆଣି ବିଜ୍ଞାପନ ଆୟକୁ ଆୟୁଧ କରି ପ୍ରକାଶନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିଲା । ଟାଇମ୍ସ ପ୍ରବର୍ତ୍ତିତ ମଡ଼େଲ କେବଳ ପ୍ରତିଦ୍ୱନ୍ଦୀ ଅନ୍ୟ ଇଂଲିଶ ସମ୍ୱାଦପତ୍ର କାହିଁକି ଆଞ୍ଚଳିକସ୍ତରର ସମ୍ୱାଦପତ୍ରଗୁଡ଼ିକ ମଧ୍ୟ ଅନୁସରଣ କରିବାକୁ ବାଧ୍ୟ ହୋଇଥିଲେ । ଯୁକ୍ତିଯୁକ୍ତ ଦ୍ରବ୍ୟମୂଲ୍ୟ ଗ୍ରାହକ ଚାନ୍ଦାରୁ ଭରଣା ନକରିପାରି ବଡ଼ ସମ୍ୱାଦପତ୍ରଗୁଡ଼ିକ ବ୍ୟାବସାୟିକ ବିଜ୍ଞାପନ ଏବଂ ଛୋଟ ସମ୍ୱାଦପତ୍ରଗୁଡ଼ିକ ସରକାରୀ ବିଜ୍ଞାପନ ଆଶ୍ରିତ ହୋଇପଡ଼ିଲେ । ଏହି ପରିବେଶ ସାମ୍ୱାଦିକତାର ସ୍ୱାଧୀନତା ଓ ଗୁଣାତ୍ମକ ବିକାଶରେ ପ୍ରତିବନ୍ଧକ ସାଜିଲା ।


 

ଚତୁର୍ଥତଃ, ଇଂଲିଶ ସମ୍ୱାଦପତ୍ର କ୍ଷେତ୍ରରେ ପ୍ରବର୍ତ୍ତିତ ବିଜ୍ଞାପନ ଆଶ୍ରିତ ମଡ଼େଲରେ ଟେଲିଭିଜନ ଓ ଡିଜିଟାଲ ମଞ୍ଚଗୁଡ଼ିକ ପରିଚାଳିତ ହେଉଥିବା ହେତୁ ସେଗୁଡ଼ିକର ଅବସ୍ଥା ମଧ୍ୟ ମହାମାରୀରେ ଶୋଚ଼ନୀୟ ସ୍ତରରେ ପହଞ୍ଚିଛି । ଟେଲିଭିଜନ ଚ୍ୟାନେଲଗୁଡ଼ିକ ସାମାନ୍ୟ ଗ୍ରାହକ ଚାନ୍ଦା ପାଉଥିବା ସ୍ଥଳେ ଡିଜିଟାଲ ନିଉଜ ପୋର୍ଟାଲଗୁଡ଼ିକ କ୍ଷେତ୍ରରେ ତାହା ମଧ୍ୟ ଦୁର୍ଲଭ । ସମ୍ୱାଦ ମଞ୍ଚ ସମୂହ ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ପ୍ରଭାବଶାଳୀ ବିବେଚିତ ହେଉଥିବା ତଥା ଏକ ସମ୍ୱାଦ ମଞ୍ଚ ଆରମ୍ଭ କରିବା ଅନ୍ୟ ବ୍ୟବସାୟ ତୁଳନାରେ ବ୍ୟୟବହୁଳ ନଥିବା ହେତୁ ୨୦୦୭-୦୮ର ଅର୍ଥନୀତିକ ଅଭିବୃଦ୍ଧି ଅବସରରେ ନିର୍ମାଣ ଉଦ୍ୟୋଗ ଓ ଖଣି ଶିଳ୍ପ ମାଲିକମାନେ ଗୁଡ଼ାଏ ସମ୍ୱାଦ ମଞ୍ଚ ଆରମ୍ଭ କରିଦେଇଥିଲେ । ତେବେ ବିଭିନ୍ନ କାରଣରୁ ନିର୍ମାଣ ଉଦ୍ୟୋଗ ଓ ଖଣି ଶିଳ୍ପରେ ବ୍ୟବସାୟ ମନ୍ଥର ହୋଇ ପଡିଥିବା ସ୍ଥଳେ ତାହାର ପ୍ରଭାବ ସଂପୃକ୍ତ ଗଣମାଧ୍ୟମ ମଞଗୁଡ଼ିକ ଉପରେ ପଡ଼ିବା ନିଶ୍ଚିତ ।


 

ପଞ୍ଚମତଃ, ଶେଖର ଗୁପ୍ତା ଗ୍ରାହକଚାନ୍ଦା ଆଶ୍ରିତ ମଡ଼େଲ ସମ୍ୱାଦ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ଆବଶ୍ୟକ ଥିବା ଉଲ୍ଲେଖ କରି ଅନୁରୂପ ପ୍ରୟାସ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଆରମ୍ଭ ହୋଇସାରିଥିବା ସ୍ଥଳେ ଭାରତରେ ମଧ୍ୟ ଗୁରୁତ୍ୱ ଲାଭ କରିବା ଆଶା ପ୍ରକାଶ କରିଛନ୍ତି ।


 

ସେହିପରି ଏନ.ରାମ ନିଜ ଅନୁଶୀଳନରେ ପ୍ରଥମତଃ, ସମ୍ୱାଦ ଶିଳ୍ପରେ ସଂକଟ ମହାମାରୀର ବହୁ ପୂର୍ବରୁ ଆରମ୍ଭ ହୋଇସାରିଥିବା ସ୍ଥଳେ ଲକଡ଼ାଉନ ପରିବେଶରେ ତ୍ୱରାନ୍ୱିତ ହୋଇଥିବା ଦର୍ଶାଇଛନ୍ତି । ବିଭିନ୍ନ କାରଣରୁ ଭାରତୀୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଉଭୟ ଗୁଣାତ୍ମକ ଓ ବ୍ୟାବସାୟିକ ସ୍ତରରେ ଗୁରୁତ୍ୱ ହରାଇ ବସିଥିଲେ ଏବଂ ଇଂଲିଶ ସମ୍ୱାଦପତ୍ରଗୁଡ଼ିକ କ୍ଷେତ୍ରରେ ଅବନତି ପ୍ରକାଶ୍ୟରେ ପରିଲକ୍ଷିତ ହେଉଥିଲା ।


 

ଦ୍ୱିତୀୟତଃ, ମହାମାରୀରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦୁର୍ଦ୍ଦଶାର ଶୀକାର ହୋଇଛି ଏବଂ ଏହି ପରିବେଶ ସମ୍ୱାଦ ଶିଳ୍ପକୁ କେଉଁ ସ୍ତରରେ ନେଇ ପହଞ୍ଚାଇବ ସେ କଳନା କରିପାରୁ ନଥିବା ଏନ. ରାମ ସ୍ୱୀକାର କରିଛନ୍ତି ।


 

ତୃତୀୟତଃ, ଭାରତୀୟ ସମ୍ୱାଦପତ୍ର ବିଶେଷକରି ଆଞ୍ଚଳିକ ସମ୍ୱାଦପତ୍ରଗୁଡ଼ିକ ମୁଦ୍ରଣ ମଞ୍ଚରେ ସମ୍ଭାବ୍ୟ ବିଘଟନ ସଂପର୍କରେ ଅନୁମାନ କରି ନପାରିଥିବା ସୂଚାଇଛନ୍ତି । ପାଶ୍ଚାତ୍ୟ ଭୂଖଣ୍ଡରେ ବିଂଶ ଶତାଦ୍ଦୀର ଶେଷ ଦଶକରୁ ମୁଦ୍ରଣ ସମ୍ୱାଦପତ୍ର ଶିଳ୍ପରେ ସମସ୍ୟା ଆରମ୍ଭ ହୋଇଥିବା ତଥା ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକ ଶେଷରେ ସୃଷ୍ଟ ଆର୍ଥିକ ମାନ୍ଦାବସ୍ଥା ପରବର୍ତ୍ତୀ କାଳରେ ଅର୍ଦ୍ଧାଧିକ ପ୍ରକାଶନ ବନ୍ଦ ହୋଇସାରିଥିବା ସ୍ଥଳେ ଭାରତରେ ଆଞ୍ଚଳିକ ସମ୍ୱାଦପତ୍ରଗୁଡ଼ିକ ନିମନ୍ତେ ଅନ୍ତତଃପକ୍ଷେ ୨୦୪୫ ଯାଏଁ ବିପଦର କାରଣ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ ପାଉଥିଲା । ମହାମାରୀର ପ୍ରଭାବ ସେଭଳି ଉପପାଦ୍ୟରେ କୁଠାରଘାତ କରିଛି ।


 

ଚତୁର୍ଥତଃ, ଏହି ସଂକଟ ସମ୍ୱାଦ ଶିଳ୍ପ ନିମନ୍ତେ ଉଚିତ ବ୍ୟାବସାୟିକ ମଡ଼େଲ ନିର୍ଣ୍ଣୟ କରିବା ଲାଗି ପରିବେଶ ସୃଷ୍ଟି କରିଛି । ସମ୍ୱାଦପତ୍ର ଗୁଡ଼ିକ ଦୈନନ୍ଦିନ ଘଟଣା ପ୍ରବାହ ଉପସ୍ଥାପନରେ ନିଜକୁ ସୀମିତ ରଖିବେ ନା ସମାଜର ହିତକଳ୍ପେ ସମ୍ପାଦକୀୟ ନୀତି ‘ଏଡ଼ିଟୋରିଆଲ ଷ୍ଟାଣ୍ଡ’ ଗ୍ରହଣ କରିବେ ତାହା ସ୍ଥିର କରିବା ସମୟ ଉପନୀତ ହୋଇଛି । ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ସମ୍ୱାଦପତ୍ରର ବୃହତ୍ତର ଭୂମିକା ନିର୍ବାହ କରିବା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ ହୋଇ ସାରିଥିବା ସ୍ଥଳେ ଏହାର ଉଚ଼ିତ ବ୍ୟବହାରରେ ସାମାଜିକ ବିକାଶ ନିର୍ଭରଶୀଳ ।


 

ପଞ୍ଚମତଃ, ସରକାରୀ ବିଜ୍ଞାପନଆଶ୍ରିତ ମଧ୍ୟମ ଓ କ୍ଷୁଦ୍ରବର୍ଗର ସମ୍ୱାଦପତ୍ରଗୁଡ଼ିକ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିବା ସ୍ଥଳେ ସେମାନଙ୍କ ନୀତିଗତ ନିଷ୍ପତ୍ତି ସଂପୃକ୍ତ ମଞ୍ଚଗୁଡ଼ିକର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ଏନ.ରାମ ଚେତାବନୀ ଦେଇଛନ୍ତି । ସମ୍ୱାଦପତ୍ରକୁ ପ୍ରଭାବିତ କରିବା ନିମନ୍ତେ ସରକାରୀସ୍ତରରେ ଅପଚେଷ୍ଟା କ୍ରମଶଃ ବୃଦ୍ଧି ପାଉଥିବାର ବହୁ ଉଦାହରଣ ଚର୍ଚ୍ଚାକୁ ଆସୁଥିବା ସ୍ଥଳେ ସରକାରୀ ବିଜ୍ଞାପନଆଶ୍ରିତ ମଡେଲ ବଦଳାଇ ନପାରିଲେ ସରକାରୀ ଚାପରୁ ମୁକ୍ତି ମିଳିପାରିବ ନାହିଁ । ତେବେ ଗ୍ରାହକ ଚାନ୍ଦାଆଶ୍ରିତ ମଡ଼େଲ ଅବଲମ୍ୱନ ନିମନ୍ତେ ସବୁ ସ୍ତରର ସମ୍ୱାଦପତ୍ର ନିମନ୍ତେ ବିକ୍ରୀଯୋଗ୍ୟ ଉତ୍ପାଦ ପ୍ରସ୍ତୁତି ଅର୍ଥାତ ଗୁଣାତ୍ମକ ସାମ୍ୱାଦିକତା ବିକାଶ ଗୁରୁତ୍ୱପୂର୍ଣ୍ଣ ।                 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅଗଷ୍ଟ ୨୦୨୦


ତଥ୍ୟ:



Lay-offs, wage cuts closures : What pandemic – linked bloodshed says about health of the new media. Video ‘#CutTheClutter’ By Shekher Gupta Episode 452. April 24, 2020


 

https://www.youtube.com/watch?v=a-Y6kMOhJGo


 

N. Ram : The Hindu took a big hit on advertising revenue post – Refale Expose, But ‘will not bend’ The Wire. July 29, 2019


 

https://www.youtube.com/watch?v=dnl1gyL2dLk

ସମ୍ୱାଦଶିଳ୍ପ ନିମନ୍ତେ ବିକଳ୍ପ ଆୟ

ବିଶ୍ୱବ୍ୟାପୀ ସାମାଜିକ ବ୍ୟବସ୍ଥାରେ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକରେ ବ୍ୟାପକ ପରିବର୍ତ୍ତନ ଆଶା କରାଯାଇଆସୁଥିଲା । ବିଭିନ୍ନ କାରଣରୁ ପାରମ୍ପରିକ ଆଙ୍ଗୀକ ଅନ୍ତଃସାର ଶୂନ୍ୟ ହୋଇପଡିଥିବା ତଥା ବୈଷୟିକ ପ୍ରଗତିସହ ଖାପଖୁଆଇ ପାରୁନଥିବା ହେତୁ ନୂତନ ପ୍ରବାହ ଅବଶ୍ୟମ୍ଭାବୀ ବୋଲି କୁହାଯାଉଥିଲା । ସାଧାରଣତଃ ଦୂରଦ୍ରଷ୍ଟାମାନେ ନକାରାତ୍ମକ ଟୀପ୍ପଣି ପ୍ରଦାନରେ ଅଭ୍ୟସ୍ତ ଥିବା ଅଭିଯୋଗରେ ଅଧିକାଂଶ କ୍ଷେତ୍ରରେ ଏଭଳି ଚ଼େତାବନୀ ପ୍ରଭାବହୀନ ବିବେଚିତ ହୋଇଥିଲା । ଫଳତଃ ଆବଶ୍ୟକୀୟ ପୂର୍ବପ୍ରସ୍ତୁତି ଅଭାବ ଅନୁଭୂତ ହୋଇଛି ।


 

ମାନବ ସଭ୍ୟତା ଇତିହାସକୁ ବିଶ୍ଳେଷଣ କଲେ ଦୁର୍ଭିକ୍ଷ, ମହାମାରୀ, ଯୁଦ୍ଧ ଭଳି ଅଘଟଣ କାଳରେ ଆକସ୍ମିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକ ଶେଷରେ ପାଶ୍ଚାତ୍ୟ ଭୂଖଣ୍ଡରେ ସୃଷ୍ଟ ଆର୍ଥିକ ମାନ୍ଦାବସ୍ଥା ଯେଉଁ ପରିବର୍ତ୍ତନର ଧାରା ଉନ୍ମୋଚନ କରିଥିଲା, ତାହା ତୃତୀୟ ଦଶକ ଆରମ୍ଭରେ ‘କୋଭିଡ଼-୧୯’ ମହାମାରୀ ତ୍ଵରାନ୍ନିତ କରିଥିବା ପ୍ରତୀୟମାନ ହୁଏ । ସମାଜର ଅନ୍ୟାନ୍ୟ ଅଙ୍ଗ ତୁଲ୍ୟ ଗଣମାଧ୍ୟମ ମଧ୍ୟ ଏତାଦୃଶ ପରିବର୍ତ୍ତନର ପରିଧିରୁ ବାଦ ପଡ଼ିନାହିଁ ।


 

ସମ୍ୱାଦଶିଳ୍ପ ମୂଳତଃ ପାଶ୍ଚାତ୍ୟ ଭୂଖଣ୍ଡରେ ବିକଶିତ ହୋଇଥିଲା ଏବଂ ବିଗତ ଅଢ଼େଇ ଶହ ବର୍ଷ ଧରି ଏହି ବ୍ୟବସାୟ ବିଜ୍ଞାପନ ଆଶ୍ରିତ ଧାରାରେ ପରିପୁଷ୍ଟ । ମୁଦ୍ରଣ ସମ୍ୱାଦ ଶିଳ୍ପରେ ଅନୁସୃତ ଧାରା ରେଡ଼ିଓ, ଟେଲିଭିଜନ ଓ ଇଣ୍ଟରନେଟ ମଞ୍ଚକୁ ମଧ୍ୟ ପ୍ରଭାବିତ କରିଆସିଛି । ସ୍ଥୁଳ ଭାବେ ବର୍ଣ୍ଣନା କରିବାକୁ ଗଲେ ସମ୍ୱାଦପତ୍ର, ଟେଲିଭିଜନ ଚ୍ୟାନେଲ କିମ୍ୱା ସମ୍ୱାଦ ୱେବସାଇଟଗୁଡ଼ିକର ଆୟରେ ହାରାହାରି ୭୫ ରୁ ୮୫ ପ୍ରତିଶତ ଯାଏଁ ବିଜ୍ଞାପନ ଦେୟ ଓ ୧୫ ରୁ ୨୫ ପ୍ରତିଶତ ମାତ୍ର ଗ୍ରାହକ ଦେୟ ଅନ୍ତର୍ଭୁକ୍ତ ।


 

ବିଂଶ ଶତାଦ୍ଦୀ ଶେଷ ଦଶକରେ ଇଣ୍ଟରନେଟ ବ୍ୟାପ୍ତିରେ ଡ଼ିଜିଟାଲ ମଞ୍ଚର ଆବିର୍ଭାବ ଏବଂ ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକରେ ସ୍ମାର୍ଟଫୋନ ପ୍ରଚଳନରେ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ପାଶ୍ଚାତ୍ୟଭୂଖଣ୍ଡରେ ଏକପକ୍ଷରେ ସମ୍ୱାଦପତ୍ର, ରେଡ଼ିଓ ଓ ଟେଲିଭିଜନରୁ ଡ଼ିଜିଟାଲ ମଞ୍ଚକୁ ବିଜ୍ଞାପନ ଅପସାରଣ ଜାରୀ ରହିଲା । ମୁଦ୍ରିତ ସମ୍ୱାଦପତ୍ର ପ୍ରଯୋଜନା ବ୍ୟୟ ବଢ଼ିଚାଲିବା ସ୍ଥଳେ ବିଜ୍ଞାପନ ଆୟ ସଂକୋଚ଼ନ ବ୍ୟବସାୟ ପରିଚାଳନାରେ ପ୍ରତିବନ୍ଧକ ସାଜିଲା । ଅପରପକ୍ଷରେ ୨୦୨୦ ପ୍ରାରମ୍ଭରୁ ବିଶ୍ୱବ୍ୟାପୀ ମହାମାରୀ ସଂକ୍ରମଣଜନିତ ଅର୍ଥନୀତିକ ମାନ୍ଦାବସ୍ଥା ଏବଂ ଜନପଦ ବନ୍ଦ ଭଳି ଅସ୍ୱାଭାବିକ ପରିସ୍ଥିତିରେ ବାଣିଜ୍ୟ ବ୍ୟବସାୟରେ ଦୁର୍ଦ୍ଦିନର ଆଶଙ୍କା ପାରମ୍ପରିକ ମୁଦ୍ରଣ, ରେଡ଼ିଓ ଓ ଟେଲିଭିଜନ ସଙ୍ଗେ ଡ଼ିଜିଟାଲ ମଞ୍ଚରୁ ମଧ୍ୟ ବିଜ୍ଞାପନ ଉଭେଇ ଯିବାରେ ଲାଗିଲା । ଫଳରେ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ସମ୍ୱାଦଶିଳ୍ପ ସଙ୍କଟର ସମ୍ମୁଖୀନ ହୋଇଛି ।


 

‘ଲସ ଏଞ୍ଜଲସ ଟାଇମ୍ସ’ରେ ପ୍ରକାଶିତ ହିସାବ ଅନୁଯାୟୀ ବିଗତ ତିନି ଦଶକରେ ଆମେରିକାରେ ଅର୍ଦ୍ଧେକ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହୋଇଯାଇଛି । ‘ନ୍ୟୂୟର୍କ ଟାଇମ୍ସ’ ପକ୍ଷରୁ ମହାମାରୀ ସଂକ୍ରମଣ ପରିବେଶରେ ଏପ୍ରିଲ ୨୦୨୦ ସୁଦ୍ଧା ୩୬ ହଜାର ସାମ୍ୱାଦିକ ଚାକିରି ହରାଇଥିବା ଆକଳନ କରାଯାଇଛି । ଏହି ବିପତ୍ତିରେ ଆଞ୍ଚଳିକସ୍ତରର କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସାଙ୍ଗକୁ ରେଡ଼ିଓ, ଟେଲିଭିଜନ ଓ ଡିଜିଟାଲ ମଞ୍ଚଭିତ୍ତିକ ଆଞ୍ଚଳିକ ଗଣମାଧ୍ୟମ‘ ଲୋକାଲ ନିଉଜ’ ପ୍ରଭାବିତ ହୋଇଛି ।


 

ଗଣମାଧ୍ୟମ ସମୀକ୍ଷକମାନଙ୍କ ବିଚାରରେ ଯୁକ୍ତରାଷ୍ଟ୍ର ଆମେରିକାରେ ବିଜ୍ଞାପନ ଆଶ୍ରିତ ସମ୍ୱାଦଶିଳ୍ପ ବ୍ୟାବସାୟିକସ୍ତରରେ ବିଫଳ ପ୍ରମାଣିତ ହୋଇଥିବା ସ୍ଥଳେ ଭବିଷ୍ୟତରେ ପୁନରୁଦ୍ଧାର ଆଶା କ୍ଷୀଣ । ମୁଦ୍ରଣ ଓ ଡିଜିଟାଲ ଉଭୟ ମଞ୍ଚରେ ସମ୍ୱାଦଶିଳ୍ପ ବଞ୍ଚିରହିବା ନିମନ୍ତେ ଗ୍ରାହକ ଚାନ୍ଦା ଓ ବଦାନ୍ୟତା ଆଶ୍ରିତ ଧାରାକୁ ନେଇ ପରୀକ୍ଷା ନିରୀକ୍ଷା ଚଳାଇଛି । ଭବିଷ୍ୟତରେ ବିଜ୍ଞାପନ ସଂଗ୍ରହରେ ଏକଚାଟିଆ ଆଧିପତ୍ୟ ଜାରୀ କରିଥିବା ସୋସିଆଲ ମିଡ଼ିଆ ମଞ୍ଚ ସହ ରାଜସ୍ୱ ବଣ୍ଟନ ଓ ସରକାରୀ ଅନୁଦାନ ଭଳି ବିକଳ୍ପ ଆୟ ବ୍ୟବସ୍ଥା ପ୍ରଚଳନ ଚର୍ଚ୍ଚାର ପରିସରକୁ ଆସିଛି ।


 

ହିସାବ ଅନୁଯାୟୀ ଡ଼ିଜିଟାଲ ମଞ୍ଚରେ ବିଶ୍ୱବ୍ୟାପୀ ବିଜ୍ଞାପନ ଆୟର ୮୫ ପ୍ରତିଶତ ସୋସିଆଲ ମିଡ଼ିଆ ମଞ୍ଚର କେବଳ ଫେସବୁକ ଓ ଗୁଗୁଲ ଉଦରସ୍ଥ କରୁଛନ୍ତି । ବିଶ୍ୱବ୍ୟାପୀ ଇଣ୍ଟରନେଟ ଉପଭୋକ୍ତାମାନେ ଏହି ଦୁଇ ମଞ୍ଚରେ ବହୁ ସଂଖ୍ୟାରେ ବହୁ ସମୟ ଧରି ଉପସ୍ଥିତି ରହୁଥିବା ତଥା କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗରେ ସେମାନଙ୍କ ରୁଚି ପରଖି ବିଜ୍ଞାପନ ପ୍ରଦର୍ଶନର ସୁବିଧା ଉପଲବ୍ଧ ଥିବା ହେତୁ ସୋସିଆଲ ମିଡ଼ିଆ ସହ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ପ୍ରତିଯୋଗିତାରେ ତିଷ୍ଠିବା ସମ୍ଭବପର ନୁହେଁ ।


 

ଉଭୟ ଫେସବୁକ ଓ ଗୁଗୁଲ ମଞ୍ଚରେ ପାରମ୍ପରିକ ଗଣମାଧ୍ୟମରେ ପ୍ରକାଶିତ ତଥା ପ୍ରଦର୍ଶିତ ସୃଜନ ‘କଣ୍ଟେଣ୍ଟ’କୁ ସଂଯୋଗ ‘ଲିଙ୍କ’ ଦେଇ ଉପଭୋକ୍ତାଙ୍କୁ ଆକୃଷ୍ଟ କରାଯାଇଥାଏ । ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ପ୍ରକାଶିତ ସୃଜନ ଆଧାରରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ବିଜ୍ଞାପନ ଆୟ ବଢାଉଥିବା ଅବସରରେ ସେଭଳି ଆୟରୁ କିଛି ଅଂଶ ସଂପୃକ୍ତ ପାରମ୍ପରିକ ମଞ୍ଚଗୁଡ଼ିକୁ କାହିଁକି ଦେବେ ନାହିଁ ବୋଲି ଯୁକ୍ତି ଜୋର ଧରିଛି । ପ୍ରଯୁକ୍ତି ବିଦ୍ୟାରେ ଅଗ୍ରଗତି ହେତୁ ଉପଭୋକ୍ତାମାନଙ୍କ ମଧ୍ୟରେ ନୂତନ ଗଣମାଧ୍ୟମ ଆହରଣ ପରିବେଶ ସୃଷ୍ଟି ହୋଇଥିବା ସ୍ଥଳେ ଏକ୍ଷେତ୍ରରେ ଯୁକ୍ତିଯୁକ୍ତ ନୀତିନିୟମ ପ୍ରବର୍ତ୍ତନ ନିମନ୍ତେ ବିଭିନ୍ନ ରାଷ୍ଟ୍ରରେ ତତ୍ପରତା ପ୍ରକାଶ ପାଇଛି ।


 

ସ୍ପେନ, ଫ୍ରାନ୍ସ ଓ ଆଷ୍ଟ୍ରେଲିଆରେ ସରକାରୀସ୍ତରରେ ଫେସବୁକ ଓ ଗୁଗୁଲକୁ ସ୍ଥାନୀୟ ସମ୍ୱାଦମଞ୍ଚଗୁଡ଼ିକରେ ପ୍ରକାଶିତ ସୃଜନ ପ୍ରସାରଣ ନିମନ୍ତେ ସହମତି ଭିତ୍ତିରେ ଦେୟ ପ୍ରଦାନ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ପ୍ରଥମେ ୨୦୧୪ରେ ସ୍ପେନରେ ଏଥିଲାଗି ସରକାରୀ ନିୟମ ପ୍ରଣୟନ ପରେ ଗୁଗୁଲ ପକ୍ଷରୁ ସ୍ପେନକୁ ବାସନ୍ଦ କରାଯାଇଛି । ‘ଗୁଗୁଲ ନିଉଜ’ ମଞ୍ଚରେ ସ୍ପେନର ସମ୍ୱାଦ ପ୍ରସାରଣ ବନ୍ଦ ରହିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଫ୍ରାନ୍ସରେ ୨୦୧୯ରେ ନିୟମ ପ୍ରଣୟନ ପରେ ଗୁଗୁଲ ସେଠାରେ ସ୍ଥାନୀୟ ସମ୍ୱାଦ ପ୍ରସାରଣରୁ ମଧ୍ୟ ବିରତ ରହିଛି । ଶେଷରେ ୨୦୨୦ ଏପ୍ରିଲରେ ଆଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଏଥିନେଇ ଜୁନ ମାସ ସୁଦ୍ଧା ବିଧିବଦ୍ଧ ନୀତି ନିର୍ଦ୍ଧାରଣ ଏବଂ ପରେ ଆଇନ ପ୍ରଣୟନ ନେଇ ଘୋଷଣା କରାଯାଇଛି ।


 

‘ଆଷ୍ଟ୍ରେଲିଆନ କମ୍ପିଟେସନ ଏଣ୍ଡ କନଜ୍ୟୁମର କମିଶନ’ ପକ୍ଷରୁ ସ୍ଥାନୀୟ ସମ୍ୱାଦମଞ୍ଚର ପ୍ରକାଶକମାନଙ୍କ ଦାବୀ ବିଚାରକୁ ନେଇ ୧୮ ମାସଧରି ପାରମ୍ପରିକ ଓ ଡ଼ିଜିଟାଲ ମଞ୍ଚଗୁଡ଼ିକରେ ସମ୍ୱାଦ ପ୍ରସାରଣ ଆୟଜନିତ ସମସ୍ୟାର ଅନୁଶୀଳନ କରାଯାଇଥିଲା । ଫେସବୁକ ଓ ଗୁଗୁଲ ମଞ୍ଚରେ ସ୍ଥାନୀୟ ପ୍ରକାଶିତ ସମ୍ୱାଦର ପ୍ରସାରଣ ନିମନ୍ତେ ଦେୟ ପ୍ରଦାନ ଲାଗି ସ୍ୱେଚ୍ଛାକୃତ ଭାବେ ନୀତି ପ୍ରସ୍ତୁତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସେହି ଦିଗରେ ଆଶାନୁରୂପ ଅଗ୍ରଗତି ନହେବା ହେତୁ ସରକାରଙ୍କ ପକ୍ଷରୁ କମିଶନଙ୍କୁ ଏକତରଫା ଭାବେ ନୀତି ନିର୍ଦ୍ଧାରଣ କରିବା ନିମନ୍ତେ ଦାୟିତ୍ୱ ଅର୍ପଣ କରାଯାଇଛି ।


 

ଆଷ୍ଟ୍ରେଲିଆରେ ‘କୋଭେଡ଼-୧୯’ ମହାମାରୀ ପ୍ରଭାବରେ ସମ୍ୱାଦ ମଞ୍ଚଗୁଡ଼ିକରେ ବିଜ୍ଞାପନ ଆୟରେ ବ୍ୟାପକ ହ୍ରାସ ଫଳରେ ଡ଼ଜନେରୁ ଉର୍ଦ୍ଧ୍ୱ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହୋଇଯାଇଛି । ପ୍ରକାଶନ ଜାରୀ ରଖିଥିବା ସମ୍ୱାଦ ମଞ୍ଚଗୁଡ଼ିକରେ କାର୍ଯ୍ୟରତ ସାମ୍ୱାଦିକଙ୍କ ଦରମା କାଟଛାଟ ଭଳି ପଦକ୍ଷେପମାନ ଗଣମାଧ୍ୟମରେ ଅସ୍ଥିରତା ସୃଷ୍ଟି କରିଛି । ଏହି ପରିସ୍ଥିତିକୁ ମୁକାବିଲା କରିବାଲାଗି ସମ୍ୱାଦଶିଳ୍ପର ଆୟ ବୃଦ୍ଧି ଜରୁରି ଆବଶ୍ୟକତାରେ ପରିଣତ ହୋଇପଡିଥିବା ହେତୁ ଆଷ୍ଟ୍ରେଲିଆରେ ସରକାରୀସ୍ତରରେ ସୋସିଆଲ ମିଡ଼ିଆ ମଞ୍ଚର ବିଜ୍ଞାପନ ଆୟର ଯୁକ୍ତିଯୁକ୍ତ ବଣ୍ଟନ ନିମନ୍ତେ ପଦକ୍ଷେପ ନିଆଯାଇଥିବା ପର୍ଯ୍ୟବେକ୍ଷକମାନେ କହୁଛନ୍ତି ।


 

ପ୍ରଶ୍ନ ଉଠେ ଗୁଗୁଲ ପକ୍ଷରୁ ପୂର୍ବରୁ ସ୍ପେନ ଓ ଫ୍ରାନ୍ସଭଳି କ୍ଷୁଦ୍ର ଆୟତନ ଓ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରଗୁଡ଼ିକର ନୀତିନିୟମ ବର୍ଜନ କରିଥିବା ସ୍ଥଳେ ଆଷ୍ଟ୍ରେଲିଆ ଭଳି ବିସ୍ତୃତ ବଜାରକୁ ଅଣଦେଖା କରିପାରିବ କି ? ଆଷ୍ଟ୍ରେଲିଆ ଉଦାହରଣରେ ଉତ୍ସାହିତ ହୋଇ ଭାରତରେ ‘ଟାଇମ୍ସ ଆଫ ଇଣ୍ଡିଆ’ରେ ୨୨ ଏପ୍ରିଲ ୨୦୨୦ ଭୁବନେଶ୍ୱର ସଂସ୍କରଣରେ ପ୍ରକାଶିତ ସଂପାଦକୀୟରେ ଫେସବୁକ ଓ ଗୁଗୁଲ ଦେଶର ଅନଲାଇନ ବିଜ୍ଞାପନର ୭୦ ପ୍ରତିଶତ ଅର୍ଥାତ ପ୍ରାୟ ୧୧,୫୦୦ କୋଟି ଟଙ୍କା ୨୦୧୮-୧୯ ଆର୍ଥିକ ବର୍ଷରେ ଅର୍ଜନକରିଥିବା ହେତୁ ସ୍ଥାନୀୟ ସମ୍ୱାଦଶିଳ୍ପକୁ ଦେୟ ପ୍ରଦାନ ଲାଗି ନୀତି ଧାର୍ଯ୍ୟ କରିବାଲାଗି ଦାବୀ କରାଯାଇଛି । ଏଥିରେ କୁହାଯାଇଛି ଯେ ୨୦୨୨ ସୁଦ୍ଧା ଦୁଇ ସୋସିଆଲ ମିଡ଼ିଆ ମଞ୍ଚର ବିଜ୍ଞାପନ ଆୟ ୨୮ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବା ଆକଳନ କରାଯାଉଥିବା ସ୍ଥଳେ ଏଦିଗରେ ତୁରନ୍ତ ସଚ଼େତନତା ସୃଷ୍ଟି ଅପରିହାର୍ଯ୍ୟ । ‘କୋଭେଡ଼-୧୯’ ମହାମାରୀ ହେତୁ ମୁଖ୍ୟତଃ ଭାରତୀୟ ଇଂଲିଶ ସମ୍ୱାଦ ସଂସ୍ଥାଗୁଡ଼ିକରେ ବିଜ୍ଞାପନ ଆୟ ହ୍ରାସ ହେତୁ ଅଚଳାବସ୍ଥା ସୃଷ୍ଟି ହେଉଥିବା ଅବସରରେ ବିକଳ୍ପ ଆୟ ନିର୍ଦ୍ଧାରଣ ଗୁରୁତ୍ୱ ବହନ କରେ ।                  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ମେ ୨୦୨୦


ତଥ୍ୟ:



Australia to force Google, FB to pay for news content. The Times of India (Bhubaneswar Edition) April 21, 2020


 

Level the field (Editorial). The Times of India (Bhubaneswar Edition) April 22, 2020 

ସମ୍ୱାଦଶିଳ୍ପକୁ ସରକାରୀ ପ୍ରୋତ୍ସାହନ

ପାଶ୍ଚାତ୍ୟ ଭୂଖଣ୍ଡ, ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାରେ ବିଜ୍ଞାପନଆଶ୍ରିତ ମୁଦ୍ରିତ ସମ୍ୱାଦପତ୍ର ବିଗତ ତିନି ଦଶକ ଧରି ଡ଼ିଜିଟାଲ ମଞ୍ଚକୁ ବିଜ୍ଞାପନ ଅପସାରଣ ପ୍ରକ୍ରିୟାରେ ବ୍ୟାବସାୟିକ କ୍ଷତି ଭରଣା ନକରିପାରି ପ୍ରାୟ ଅର୍ଦ୍ଧେକ ପ୍ରକାଶନ ବନ୍ଦ କରିସାରିଛନ୍ତି । ‘କୋଭିଡ଼-୧୯’ ସଂକ୍ରମଣରେ ଜନପଦ ବନ୍ଦ ଡ଼ାକରା ତଥା ବାଣିଜ୍ୟ ବ୍ୟବସାୟରେ ଦୀର୍ଘକାଳୀନ ମାନ୍ଦାବସ୍ଥା ଆକଳନରେ ମୁଦ୍ରିତ ମଞ୍ଚ ସହ ଡ଼ିଜିଟାଲ ମଞ୍ଚରୁ ମଧ୍ୟ ବିଜ୍ଞାପନ ଉଭେଇଯିବା ଫଳରେ କ୍ଷୁଦ୍ର ଓ ମଧ୍ୟମବର୍ଗର ଗଣମାଧ୍ୟମ ପରିଧିରେ ଅଭୂତପୂର୍ବ ଅବସ୍ଥା ସୃଷ୍ଟି ହୋଇଛି । ମହାମାରୀଜନିତ ବ୍ୟାବସାୟିକ ମାନ୍ଦାବସ୍ଥାର ମୁକାବିଲା କରିବା ନିମନ୍ତେ ସରକାରୀ ପ୍ରୋତ୍ସାହନ ‘ଷ୍ଟିମ୍ୟୁଲାସ’ ପ୍ରଚଳନ ଅବସରରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ମଧ୍ୟ ତଦ୍ଅନୁରୂପ ସହାୟତା ଆଶା କରିବାରେ ପ୍ରାସଙ୍ଗିକତା ଗଣମାଧ୍ୟମର ପର୍ଯ୍ୟବେକ୍ଷକମାନଙ୍କ ଚର୍ଚ୍ଚାର ପରିସରକୁ ଆସିଥିଲା ।


 

ଆର୍ଥିକ ଦୁରାବସ୍ଥା ସହ୍ୟ ନକରିପାରି ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହୋଇଯିବା ଫଳରେ ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ବ୍ୟାଘାତ ପହଞ୍ଚୁଥିବା ଗବେଷଣାରୁ ଜଣାଯାଏ । ଆଞ୍ଚଳିକସ୍ତରରେ ମୁଦ୍ରିତ ସମ୍ୱାଦପତ୍ର ଅଭାବରେ ସ୍ଥାନୀୟ ପ୍ରଶାସନର କାର୍ଯ୍ୟଧାରା ସାର୍ବଜନୀନ ସମୀକ୍ଷା ନିମନ୍ତେ ଏକ ପ୍ରମୁଖ ମଞ୍ଚ ଲୋପ ପାଇଯାଏ । ଫଳରେ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ଜନସେବା ଓ ବିକାଶମୂଳକ ଯୋଜନା ରୂପାୟନରେ ଅବହେଳା ଦେଖିବାକୁ ମିଳେ ।


 

ବିଶ୍ୱ ସାମ୍ୱାଦିକତାର ସମୟରେଖା ‘ଟାଇମଲାଇନ’ରେ ସମ୍ୱାଦପତ୍ରର ସାମାଜିକ ଭୂମିକା ନିର୍ବାହରେ ବିଭିନ୍ନତା ସତ୍ତ୍ୱେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସାତ ଦଶନ୍ଧି ଧରି ଲୋକହିତରେ ପର୍ଯ୍ୟବସିତ । ମୁଦ୍ରିତ ସମ୍ୱାଦପତ୍ରରେ ତୃଣମୂଳସ୍ତରରୁ ଆନ୍ତର୍ଜାତିକ ପ୍ରସଙ୍ଗ ଯାଏଁ ସାମାଜିକ, ରାଜନୀତିକ, ସାଂସ୍କୃତିକ ବିଭିନ୍ନ ବିଷୟରେ ବିଚାରବିମର୍ଷ ନିମନ୍ତେ ମଞ୍ଚ ଉପଲବ୍ଧ । ଏହା ପ୍ରଶାସନିକ ତୃଟିବିଚ୍ୟୁତି ଏବଂ ସର୍ବସାଧାରଣଙ୍କ ଅଭାବ ଅଭିଯୋଗ ଲୋକଲୋଚନକୁ ଆଣେ । ଗ୍ରାମପଞ୍ଚାୟତରୁ ଲୋକସଭା ଯାଏଁ ନିର୍ବାଚନ ପ୍ରକ୍ରିୟାରେ ପ୍ରାର୍ଥୀ ଚୟନରେ ସହାୟତା କରିଥାଏ । ବିଭିନ୍ନ ଉପପାଦ୍ୟ ଅନୁଯାୟୀ ଗଣତନ୍ତ୍ରର ସୁରକ୍ଷାରେ ମୁଦ୍ରିତ ସମ୍ୱାଦପତ୍ର, ମୁଖ୍ୟତଃ ଆଞ୍ଚଳିକସ୍ତରର କ୍ଷୁଦ୍ର ଓ ମଧ୍ୟମ ବର୍ଗର ସମ୍ୱାଦପତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ହେତୁ ମହାମାରୀଜନିତ ବ୍ୟାବସାୟିକ ବିଶୃଙ୍ଖଳା ଅବସରରେ ସେଗୁଡ଼ିକ ବନ୍ଦ ହୋଇଯିବା ବଦଳରେ ସୀମିତ ସମୟସୀମା ଲାଗି ସରକାରୀ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇପାରିଲେ ବ୍ୟାବସାୟିକ ଆଙ୍ଗୀକ ବଦଳାଇବା ଉଚ଼ିତପନ୍ଥା ବୋଲି ଗଣମାଧ୍ୟମ ବିଶାରଦମାନେ ବିଚାର କରିଥିଲେ ।


 

କ୍ଷୁଦ୍ର ଓ ମଧ୍ୟମବର୍ଗ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ବ୍ୟାବସାୟିକ ସନ୍ତୁଳନ ଅଭାବଜନିତ ସମସ୍ୟା ମହାମାରୀ ଅବସରରେ ଗମ୍ଭୀରରୂପ ଧାରଣ କରିଥିଲେ ହେଁ ମହାମାରୀ ପରେ ତୁରନ୍ତ ଅବସ୍ଥା ସୁଧୁରିଯିବା ଅସଂଭବ । ଏହି କାରଣରୁ ଏଭଳି ବିପତ୍ତିରୁ ମୁକୁଳିବା ପାଇଁ ଥରକେ ମାତ୍ର ସରକାରୀ ସହାୟତା ପରିସ୍ଥିତିକୁ ସ୍ୱଳ୍ପ କାଳ ନିମନ୍ତେ ଟାଳିନେଇପାରେ; ତେବେ ସମସ୍ୟାର ସମାଧାନ କରିପାରିବ ନାହିଁ । ସମ୍ୱାଦମଞ୍ଚଗୁଡ଼ିକୁ ବିଜ୍ଞାପନର ବିକଳ୍ପ ଧାରା ଅନୁସରଣ କରିବା ଦୀର୍ଘ ସମୟ ଲାଗିପାରେ । ତେଣୁ ସେମାନେ କିପରି ଦୀର୍ଘକାଳୀନ ସହାୟତା ପାଇପାରିବେ ତାହାର ଉପାୟ ଖୋଜି ବାହାର କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ଚାଲୁ ରଖିବା ନିମନ୍ତେ ଅନ୍ତତଃପକ୍ଷେ ଛଅମାସର ରିଲିଫ ରାଶି ସହ ଦୁଇରୁ ତିନିବର୍ଷ ଯାଏଁ ସହାୟତା ପ୍ରଦାନ ମାଧ୍ୟମରେ ସଶକ୍ତିକରଣ ନୀତି ନିର୍ଦ୍ଧାରଣ କରାଯିବା ସପକ୍ଷରେ ମତ ପ୍ରକାଶ ପାଇଥିଲା ।


 

ସମକାଳରେ ମୁଦ୍ରିତ ସମ୍ୱାଦପତ୍ରକୁ ଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରମୁଖ ଅଂଶ ବିବେଚନା କରାଯାଉଥିବା ହେତୁ ଗଣତନ୍ତ୍ରକୁ ଋଦ୍ଧିମନ୍ତ କରିବା ନିମନ୍ତେ ସାର୍ବଜନୀନ ପାଣ୍ଠି ଉପଯୋଗ ଯୁକ୍ତିଯୁକ୍ତ ବିବେଚନା କରାଯାଇପାରେ । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରର ବିକଳ୍ପ ଡ଼ିଜିଟାଲ ମଞ୍ଚ, ସୋସିଆଲ ମିଡ଼ିଆ ଲୋକପ୍ରିୟତା ହାସଲ କରିଥିଲେହେଁ କେତେକ କ୍ଷେତ୍ରରେ ମୁଦ୍ରିତ ଲିପିର ସ୍ଥାୟୀତ୍ୱ ଦୃଷ୍ଟିରୁ ବିକଳ୍ପ ଧାରାଗୁଡ଼ିକ ସମକକ୍ଷ ହୋଇପାରୁ ନାହିଁ । ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ସମ୍ୱାଦ ପ୍ରଯୋଜନାରେ ଏକାଧିକ ବ୍ୟକ୍ତି ସଂପୃକ୍ତ ରହୁଥିବା, ନୀତିନିୟମ ଦ୍ୱାରା ପରିଚାଳିତ ହେଉଥିବା ଏବଂ ପରୀକ୍ଷିତ ସତ୍ୟତା ଆଧାରିତ ହେଉଥିବା ହେତୁ ସମ୍ୱାଦ ସରବରାହରେ ଗୁରୁତ୍ୱ ବହନ କରିଥାଏ । ସର୍ବୋପରି ଡ଼ିଜିଟାଲ ମଞ୍ଚରେ ଗୁଜବ ଓ ଅସତ୍ୟ ସମ୍ୱାଦ ପ୍ରସାର ଅଣଆୟତ୍ତ ପ୍ରମାଣିତ ହେଉଥିବା ସ୍ଥଳେ ସାମାଜିକସ୍ତରରେ ମୁଦ୍ରିତ ସମ୍ୱାଦପତ୍ରର ନିର୍ଭରଶୀଳତା ଅନୁଭୂତ ହୋଇଥାଏ ।


 

ମୁଦ୍ରିତ ସମ୍ୱାଦପତ୍ର ବିଜ୍ଞାପନଆଶ୍ରିତ ଧାରା ବଦଳରେ ଗ୍ରାହକଚାନ୍ଦାଆଶ୍ରିତ ଧାରାକୁ ପରିବର୍ତ୍ତନ ହିଁ ଏକମାତ୍ର ବିକଳ୍ପ । ବଜାରବିପ୍ପଣୀରେ ଯେକୌଣସି ଦ୍ରବ୍ୟ ପ୍ରସ୍ତୁତି ମୂଲ୍ୟ ସହ ସେବା ପ୍ରଦାନ ନିମନ୍ତେ ସାମାନ୍ୟ ଲାଭ ସଂଯୋଗକରି ବିକ୍ରୀମୂଲ୍ୟ ନିର୍ଦ୍ଧାରିତ ହେଉଥିବା ସ୍ଥଳେ ସମ୍ୱାଦଶିଳ୍ପରେ ତାହା ଉପଯୋଗ ଅବଶ୍ୟ ସଂଭବ । ଅଧିକନ୍ତୁ ସମ୍ୱାଦପତ୍ରର ମୂଲ୍ୟ ଦ୍ରାବ୍ୟମାନ ଉପରେ ନିର୍ଭରଶୀଳ ହେଲେ ସାମ୍ୱାଦିକତାର ଗୁଣବତ୍ତା ଉନ୍ନତିରେ ସହାୟକ ହେବା ଆଶା କରାଯାଇପାରେ ।


 

ସମ୍ୱାଦଶିଳ୍ପ ବିଜ୍ଞାପନ ଆୟ ପ୍ରତି ଲକ୍ଷ୍ୟବଦ୍ଧ ହେବା ଫଳରେ ସାମ୍ୱାଦିକତା ମୌଳିକ ଉଦ୍ଦେଶ୍ୟଠାରୁ ଦୂରେଇ ଯାଉଥିଲା । ବୃହତ ପାଠକ ସମାଜକୁ ଆକୃଷ୍ଟ କରି ଅଧିକ ବିଜ୍ଞାପନ ଅର୍ଜନ ଉଦ୍ଦେଶ୍ୟରେ ପାଠକୀୟ ରୁଚ଼ିକୁ ଆବିଳତାପୂର୍ଣ୍ଣ କରିବାରେ ପଛାଉ ନଥିଲା । ଫଳରେ ସାମାଜିକ ବିକାଶରେ ସାମ୍ୱାଦିକତାର ଭୂମିକା ଗୌଣ ହୋଇପଡୁଥିଲା । ବିଜ୍ଞାପନ ଅଭାବରେ ସମ୍ୱାଦଶିଳ୍ପରେ ବ୍ୟାବସାୟିକ ବିଘଟନ ସୂତ୍ରପାତ ହେଲେ ବିଜ୍ଞାପନକୁ କେନ୍ଦ୍ରକରି ସାମ୍ୱାଦିକତାରେ ଜମାଟ ବାନ୍ଧିଥିବା ଅଣସାମ୍ୱାଦିକ ବିଭବାବଳୀ ହ୍ରାସପାଇବା ବିଶ୍ୱାସ କରାଯିବା ଯଥାର୍ଥ । କିନ୍ତୁ ଏହି ପରିପ୍ରେକ୍ଷୀରେ ସମ୍ୱାଦଶିଳ୍ପ, ମୁଖ୍ୟତଃ ମୁଦ୍ରିତ ସମ୍ୱାଦପତ୍ରର ବିଳୟ ଗଣତନ୍ତ୍ର ନିମନ୍ତେ ଶୁଭଙ୍କର ହେବ ନାହିଁ । ଏହି କ୍ଷେତ୍ରରେ ପ୍ରତିରୋଧାତ୍ମକ ପଦକ୍ଷେପ ସ୍ୱାଗତଯୋଗ୍ୟ ।


 

ପ୍ରଶ୍ନ ଉଠେ କେଉଁ ସମ୍ୱାଦମଞ୍ଚଗୁଡ଼ିକ ମହାମାରୀଜନିତ ସରକାରୀ ପ୍ରୋତ୍ସାହନ ପାଇବା ଲାଗି ଯୋଗ୍ୟ । ଯୁକ୍ତରାଷ୍ଟ୍ର ଆମେରିକାରେ ଆଞ୍ଚଳିକସ୍ତରରେ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନରେ ବୃହତ ବ୍ୟାବସାୟିକ ପ୍ରତିଷ୍ଠାନ, ପାରିବାରିକ ଓ ଅଣ-ବ୍ୟାବସାୟିକ ତିନିଗୋଟି ବର୍ଗର ମାଲିକାନା ଦେଖିବାକୁ ମିଳେ । ବୃହତ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ଏକ କିମ୍ୱା ଏକାଧିକ ପ୍ରକାଶନ ସ୍ଥଳରୁ ଏକ କିମ୍ୱା ବହୁ ସଂଖ୍ୟକ ପତ୍ରପତ୍ରିକା ପ୍ରକାଶନ କରିଥାନ୍ତି । ସେମାନଙ୍କ ବ୍ୟାବସାୟିକ ଆୟବ୍ୟୟ ଅନ୍ୟାନ୍ୟ ଶିଳ୍ପକାରଖାନା ସହ ସମକକ୍ଷ । ପାରିବାରିକ ମାଲିକନାରେ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକ ସାଧାରଣରେ ପୁରାତନ ଏବଂ ପୀଢ଼ି ପରେ ପୀଢ଼ି ଘରୋଇ ପୁଞ୍ଜିଲଗାଣରେ ପରିଚାଳିତ । ଅଣ-ବ୍ୟାବସାୟିକ ପ୍ରକାଶନ ସଂସ୍ଥାଗୁଡ଼ିକ ସାମାଜିକ ପ୍ରଗତିକଳ୍ପେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ବ୍ୟବସାୟରେ ସଂପୃକ୍ତ ହୋଇଥାନ୍ତି ।


 

ଗଣତନ୍ତ୍ରର ସୁରକ୍ଷାରେ ସମ୍ୱାଦପତ୍ରର ଭୂମିକା ବିଚାରକୁ ନେଲେ ତୃତୀୟବର୍ଗ ଅଣ-ବ୍ୟାବସାୟିକ ପ୍ରକାଶନ ସଂସ୍ଥାଗୁଡ଼ିକ ଗୁରୁତ୍ୱ ଦାବୀ କରିଥାଏ । ବୃହତ ପ୍ରତିଷ୍ଠାନ ଓ ଘରୋଇ ଉଦ୍ୟୋଗଗୁଡ଼ିକ ବ୍ୟକ୍ତିଗତ କିମ୍ୱା ବ୍ୟାବସାୟିକ ସ୍ୱାର୍ଥକୁ ଅଗ୍ରାଧିକାର ଦେଇଥାନ୍ତି । ଅଣ-ବ୍ୟାବସାୟିକ ସଂଗଠନଗୁଡ଼ିକ ବିବିଧ ଲକ୍ଷ୍ୟ ଆଧାରିତ ହୋଇଥିଲେ ହେଁ ସାମଗ୍ରୀକଭାବେ ଜନହିତଲାଗି ପ୍ରଯୁଜ୍ୟ । ଉଦାହରଣରେ ରାଜନୀତିକସ୍ତରରେ ଉଦାରପନ୍ଥୀ, କଠୋରପନ୍ଥୀ ଓ ରକ୍ଷଣଶୀଳ ସମସ୍ତଙ୍କ ବିଶ୍ୱାସ ବିଭିନ୍ନ ହେଲେହେଁ ଉଦ୍ଦେଶ୍ୟ ରାଷ୍ଟ୍ରହିତରେ ପର୍ଯ୍ୟବସିତ । ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ମତବାଦ ପ୍ରସାଙ୍ଗିକତା ହାସଲ କରୁଥିବା ହେତୁ ସାର୍ବଜନୀନ ପାଣ୍ଠି ବ୍ୟକ୍ତିଗତ କିମ୍ୱା ଗୋଷ୍ଠୀଭିତ୍ତିକ ଲାଭ ଆଶା କରୁନଥିବା ସଂସ୍ଥାଗୁଡ଼ିକ ପାଇବାଲାଗି ଯୋଗ୍ୟ ।


 

ପରିବର୍ତ୍ତିତ ପରିବେଶରେ ସମ୍ୱାଦଶିଳ୍ପରେ ମାଲିକନା ଧାରାରେ ସଂସ୍କାର ସମୟ ଉପନୀତ । ସମ୍ୱାଦଶିଳ୍ପକୁ ଜନହିତମୁଖୀ କରିବା ନିମନ୍ତେ ବ୍ୟକ୍ତିଗତ ନିବେଶ ଓ ପରିଚାଳନାରୁ ଗୋଷ୍ଠୀସ୍ତରକୁ ଉନ୍ନୀତ କରିବାକୁ ପଡ଼ିବ । ଫଳରେ ବ୍ୟକ୍ତିଗତ ଓ ବ୍ୟାବସାୟିକ ସ୍ୱାର୍ଥ ପରିବର୍ତ୍ତେ ସାମୂହିକ ସ୍ୱାର୍ଥ ସାଧନ ନିମନ୍ତେ ସାମ୍ୱାଦିକତା ନିୟୋଜିତ ହୋଇପାରିବ । ମହାମାରୀ ହେତୁ ସୃଷ୍ଟ ଅଭୂତପୂର୍ବ ପରିସ୍ଥିତିରେ ବ୍ୟାବସାୟିକ ଓ ଘରୋଇ ମାଲିକନାରେ ପରିଚାଳିତ ସମ୍ୱାଦ ମଞ୍ଚଗୁ଼ଡ଼ିକ ସରକାରୀ ସହାୟତା ପାଇବା ନିମନ୍ତେ ଚାହିଁଲେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେଗୁଡିକ ଅଣ-ବ୍ୟାବସାୟିକ ସଂସ୍ଥାରେ ପରିବର୍ତ୍ତିତ ହେବା ନିମନ୍ତେ ସଂକଳ୍ପ ଗ୍ରହଣ କରି ଯୋଗ୍ୟତା ହାସଲ କରିବା ପ୍ରାବଧାନ ରଖିବା ସମୀଚୀନ ।


 

ମହାମାରୀଜନିତ ସରକାରୀ ରିଲିଫ ସମ୍ୱାଦ ମଞ୍ଚଗୁଡ଼ିକର ବ୍ୟବସାୟରେ ଟିକସକାଟ ମୁଖ୍ୟସ୍ଥାନ ଅଧିକାର କରେ । ଦୀର୍ଘକାଳୀନ ସାମ୍ୱାଦିକତା ସଶକ୍ତୀକରଣ ସହାୟତା ଆକାରରେ ମୁଦ୍ରିତ ସମ୍ୱାଦପତ୍ରରେ ନିଯୁକ୍ତ ବୃତ୍ତିଧାରୀ ସାମ୍ୱାଦିକମାନଙ୍କୁ ସିଧାସଳଖ ମାସିକ ଭତ୍ତା ଦୁଇରୁ ତିନିବର୍ଷ ଯାଏଁ ପ୍ରଦାନର ବ୍ୟବସ୍ଥା ପ୍ରତି ମାର୍କିନ ସାମ୍ୱାଦିକ ସଂଗଠନଗୁଡ଼ିକ ଗୁରୁତ୍ୱରୋପ କରିଥିଲେ । ପ୍ରକାଶନ ସଂସ୍ଥା ସହାୟତା ପାଇଲେ ସମ୍ୱାଦପତ୍ରଗୁଡ଼ିକ ବଞ୍ଚିବ କିନ୍ତୁ ସାମ୍ୱାଦିକମାନେ ଆର୍ଥିକ ଅନଟନରୁ ବୃତ୍ତି ପରିତ୍ୟାଗ କଲେ ସାମ୍ୱାଦିକତା ବ୍ୟାହତ ହେବ । ଗଣତନ୍ତ୍ରର ସୁରକ୍ଷା ଦିଗରୁ ଉଭୟ ଦିଗପ୍ରତି ଧ୍ୟାନ ଦେବା ଜରୁରୀ ।


 

ରାଜନୀତିକସ୍ତରରେ ଯୁକ୍ତରାଷ୍ଟ୍ର ଆମେରିକାରେ ସାମ୍ୱାଦିକତା ଆକ୍ରୋଶର ଶୀକାର ହୋଇଚାଲିଥିବା ସ୍ଥଳେ ମୁକ୍ତ ସାମ୍ୱାଦିକତା ବିକାଶକଳ୍ପେ ସରକାରୀ ପ୍ରୋତ୍ସାହନ ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦୂରୁହ ବ୍ୟାପାର ବୋଲି ଅନେକ ଗଣମାଧ୍ୟମ ସମୀକ୍ଷକ ମତ ପ୍ରକାଶ କରିଥାନ୍ତି । ତେବେ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ମହାମାରୀ ଅବସରରେ ସୃଷ୍ଟ ମାନ୍ଦାବସ୍ଥା ପ୍ରାୟ ପ୍ରତ୍ୟେକ ରାଷ୍ଟ୍ରରେ ଊଣାଅଧିକେ ଅନୁଭୂତ ହେଉଥିବା ହେତୁ ସ୍ଥାନୀୟ ସାମ୍ୱାଦିକତା, ମୁଖ୍ୟତଃ ମୁଦ୍ରିତ ଆଞ୍ଚଳିକ ସମ୍ୱାଦପତ୍ରଗୁଡ଼ିକର ପ୍ରକାଶନ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ଏହିଭଳି ଅସମୟରେ ଗଣତନ୍ତ୍ର ସଶକ୍ତିକରଣରେ ସାମ୍ୱାଦିକତାର ଯୋଗଦାନକୁ ଦୃଢ଼ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ସାର୍ବଜନୀନ ପାଣ୍ଠି ବ୍ୟବହାର ସଂପର୍କରେ ବିଶ୍ୱବ୍ୟାପୀ ବିଚାରବିମର୍ଷ ସମୟର ଆହ୍ୱାନ ।                   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ମେ ୨୦୨୦


ତଥ୍ୟ:



Ingram. Mathew. What needs to be done to help the media industry ? Columbia Journalism Review 



<mathew.ingram@cjr.org>


ସମ୍ୱାଦଶିଳ୍ପର ପୁନଃବିନ୍ୟାସ

ବିଶ୍ୱ ମହାମାରୀ ‘କୋଭିଡ଼-୧୯’ ସଂକ୍ରମଣରେ ଆନ୍ତର୍ଜାତିକସ୍ତରରେ ଅର୍ଥନୀତିକ ମାନ୍ଦାବସ୍ଥା ସୃଷ୍ଟି ତଥା ତତ୍ ଜନିତ ପ୍ରଭାବରେ ସମ୍ୱାଦଶିଳ୍ପରେ ବିଜ୍ଞାପନ ଆୟ ହ୍ରାସ ଦୀର୍ଘକାଳ ଧରି ବଳବତ୍ତର ରହିଲେ ଏହି ଶିଳ୍ପର ପୁନଃବିନ୍ୟାସ ଅପରିହାର୍ଯ୍ୟ । ଯୁକ୍ତରାଷ୍ଟ୍ର ଆମେରିକାର ପେନସିଲଭେନିଆ ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଅଧ୍ୟାପକ ଭିକ୍ଟର ପିକାର୍ଡ ନିକଟ ଅତୀତରେ ‘ଡେମୋକ୍ରେସି ଉଇଥଆଉଟ ଜର୍ଣ୍ଣାଲିଜମ’ ଶୀର୍ଷକ ଏକ ପୁସ୍ତକ ରଚନା କରିଛନ୍ତି । ତାଙ୍କରି ବିଚାରରେ ସେଠାକାର ଆଞ୍ଚଳିକ ସମ୍ୱାଦଶିଳ୍ପ ଉଭୟ ମୁଦ୍ରଣ ଓ ଡିଜିଟାଲ ମଞ୍ଚଗୁଡ଼ିକରେ ବ୍ୟବସାୟର ପୁନଋଦ୍ଧାର ଅସମ୍ଭବ ବୋଧ ହେଉଛି । ଆମେରିକାର ଉଦାହରଣ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଊଣାଅଧିକେ ଅନୁଭୂତ ହେବା ଆକଳନ ଅମୂଳକ ନୁହେଁ ।


 

ସମ୍ମୁଖୀନ ସମସ୍ୟାର ମୁକାବିଲାରେ ଆଞ୍ଚଳିକସ୍ତରର କ୍ଷୁଦ୍ର ଓ ମଧ୍ୟମବର୍ଗର ମୁଦ୍ରିତ ସମ୍ୱାଦପତ୍ର ବ୍ୟବସାୟର ପୁନଃବିନ୍ୟାସରେ ଦୁଇଗୋଟି ବିଷୟ ଗୁରୁତ୍ୱ ବହନ କରିଥାଏ । ଏକପକ୍ଷରେ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ବିଜ୍ଞାପନଆଶ୍ରିତ ଧାରାରୁ ଗ୍ରାହକ ଚାନ୍ଦା ଓ ବଦାନ୍ୟତାଆଶ୍ରିତ ଧାରାକୁ ପରିବର୍ତ୍ତନ ହେଲେ ଆୟବ୍ୟୟ ସମତୁଲ ଆଶା କରାଯାଇପାରେ । ଅପରପକ୍ଷରେ ମୁଦ୍ରିତ ସମ୍ୱାଦପତ୍ରର ଭବିଷ୍ୟତ ଗ୍ରାହକ କ୍ରୟଶକ୍ତି ଉପରେ ନିର୍ଭରଶୀଳ ହେଲେ ବିକ୍ରୀ ବୃଦ୍ଧି ନିମନ୍ତେ ଗୁଣବତ୍ତା ସମ୍ପନ୍ନ ସମ୍ୱାଦିକତା ପ୍ରଯୋଜନା ଏବଂ ବଦାନ୍ୟତା ପ୍ରାପ୍ତିଲାଗି ଅଧିକରୁ ଅଧିକ ଲୋକସେବାମୂଳକ ସାମ୍ୱାଦିକତା ପ୍ରସାର ଲାଭ କରିପାରେ ।


 

ଚାଞ୍ଚଲ୍ୟ, ଚାକଚକ୍ୟ ଆଧାରରେ ପାଠକଙ୍କୁ ଆକୃଷ୍ଟ କରିବା ଭାର ଡ଼ିଜିଟାଲ ମଞ୍ଚ ଅକ୍ତିଆର କରିସାରିଥିବା ଏବଂ ବେଗ, ପ୍ରସାର ଓ କାରିଗରୀ କୌଶଳ ପ୍ରୟୋଗ ଦୃଷ୍ଟିରୁ ମୁଦ୍ରିତ ସମ୍ୱାଦପତ୍ର ସେହିଭଳି ଦକ୍ଷତାର ସମକକ୍ଷ ହେବା ସଂଭବପର ନଥିବା ହେତୁ ଉଚ୍ଚକୋଟୀର ସାମ୍ୱାଦିକତା ପ୍ରଯୋଜନା ହିଁ ଏକମାତ୍ର ବିକଳ୍ପ ପନ୍ଥା । ପୁନଶ୍ଚ ଆଞ୍ଚଳିକସ୍ତରରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ଅର୍ଥନୀତି ଦୃଷ୍ଟିରୁ ଲାଭଜନକ ନହୋଇପାରିଲେ ବ୍ୟକ୍ତିଗତ ଓ ବ୍ୟାବସାୟିକ ମାଲିକନାରୁ ଅଣ-ବ୍ୟାବସାୟିକ ଆଙ୍ଗୀକକୁ ପରିଚାଳନାଭାର ହସ୍ତାନ୍ତର ହେବା ସ୍ୱାଭାବିକ ।


 

ମହାମାରୀ ପରବର୍ତ୍ତୀ ପରିବେଶ ସାମ୍ୱାଦିକତାରେ ଯେଉଁସବୁ ଧାରା ଗୁରୁତ୍ୱଲାଭ କରିବା ଗଣମାଧ୍ୟମ ସମୀକ୍ଷକମାନେ ପୂର୍ବାନୁମାନ କରୁଛନ୍ତି ତାହାର ଏକ ଉଦାହରଣ ବ୍ରିଟେନର ‘ଦି ଗାର୍ଡିଅନ’ ସମ୍ୱାଦ ମଞ୍ଚରେ ପ୍ରତିଫଳିତ । ‘ଦି ଗାର୍ଡିଅନ’ ବିଜ୍ଞାପନଆଶ୍ରିତ ଧାରା ପରିତ୍ୟାଗ କରି ୨୦୧୪ରୁ ଗ୍ରାହକଚାନ୍ଦା ଓ ୨୦୧୬ରୁ ବଦାନ୍ୟତାଭିତ୍ତିକ ମଞ୍ଚ ରୂପେ ପରୀକ୍ଷାନିରୀକ୍ଷା ଆରମ୍ଭ କରିଥିଲା । ବ୍ୟାବସାୟିକ ଦୃଷ୍ଟିରୁ ଗତ ୨୦୧୮-୧୯ ଓ ୨୦୧୯-୨୦ ଦୁଇ ଆର୍ଥିକ ବର୍ଷରେ ନିର୍ଦ୍ଧାରିତ ସଫଳତା ପାଇ ଆତ୍ମନିର୍ଭରଶୀଳ ହୋଇପାରିଥିବା ଜଣାଯାଏ ।


 

‘ଗାର୍ଡିଆନ’ ପକ୍ଷରୁ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ବ୍ରିଟେନରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଏବଂ ଡିଜିଟାଲ ମଞ୍ଚର ପ୍ରସାରରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ବିଜ୍ଞାପନ ଆୟ ହ୍ରାସ ଅବସରରେ ପାରମ୍ପରିକ ଢ଼ାଞ୍ଚା ବଦଳାଇବା ନିମନ୍ତେ ପ୍ରୟାସ କରାଯାଇଥିଲା । ୧୮୨୧ରୁ ପ୍ରକାଶିତ ଏହି ପୁରାତନ ସମ୍ୱାଦପତ୍ର ‘ସ୍କଟ ଟ୍ରଷ୍ଟ’ ନାମକ ଏକ ଅଣ-ବ୍ୟାବସାୟିକ ସଂଗଠନ ଆନୁକୂଲ୍ୟରେ ପ୍ରକାଶିତ ହୋଇଥାଏ । ମୂଳରୁ ସ୍ୱାଧୀନ ସାମ୍ୱାଦିକତାକୁ ପ୍ରୋତ୍ସାହିତ କରିବା ନିମନ୍ତେ ସମ୍ୱାଦପତ୍ରର ପ୍ରକାଶକଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଆସିଛି । ତେବେ ଦୀର୍ଘକାଳ ବ୍ୟାବସାୟିକ ଦିଗରୁ କ୍ଷତି ହେତୁ ବ୍ୟାବସାୟିକ ସ୍ଥିତି ବିଗିଡ଼ି ଯାଇଥିଲା ।


 

୨୦୧୫ରେ କ୍ୟାଥେରି ନଭିନାର ‘ଗାର୍ଡିଅନ’ର ନୂତନ ସମ୍ପାଦକ ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ କେତେକ ପରିବର୍ତ୍ତନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଗୁଣାତ୍ମକ ସାମ୍ୱାଦିକତା ସାଙ୍ଗକୁ ଡିଜିଟାଲ ଫାଷ୍ଟ, ଆନ୍ତର୍ଜାତିକସ୍ତରରେ ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆରେ ପାଠକ ସଂପ୍ରସାରଣ ଉଦ୍ୟମ ଏବଂ ଡିଜିଟାଲ ମଞ୍ଚକୁ ଦେୟ ମୁକ୍ତ ରଖି ପାଠକ ଓ ପ୍ରଶଂସକମାନଙ୍କଠାରୁ ସ୍ୱେଚ୍ଛାକୃତ ଉଚ୍ଚ ଦରରେ ଗ୍ରାହକଚାନ୍ଦା ଓ ଦାନ ଗ୍ରହଣ ଭଳି ପଦକ୍ଷେପ ଗ୍ରହଣ କରିଥିଲେ । ପାଞ୍ଚବର୍ଷ ମଧ୍ୟରେ ‘ଗାର୍ଡିଅନ’ର ଅଭିନବ ପଦକ୍ଷେପ ବ୍ୟାବସାୟିକ ସଫଳତାରେ ରୂପାନ୍ତରିତ ହୋଇପାରିଛି ।


 

ସାମ୍ୱାଦିକତାରେ ଗୁଣାତ୍ମକ ବିକାଶ ଏବଂ ଉନ୍ନତ ବୈଷୟିକ ଉପଯୋଗରେ ବ୍ୟାବସାୟିକ ସଫଳତା ସହ ସାମାଜିକ ଦାୟିତ୍ୱବୋଧ ନିର୍ବାହ ଯେ ସମ୍ଭବପର ଚଳନ୍ତି ସମୟରେ ଗାର୍ଡ଼ିଆନ ସାମ୍ୱାଦିକତା ତାହାର ପ୍ରମାଣ ଦିଏ । ଉଚ୍ଚମାନର ସମ୍ୱାଦ ପ୍ରଯୋଜନା ନିମନ୍ତେ ଅର୍ଥ, ସମୟ ଓ ସୃଜନ ଆବଶ୍ୟକ ପଡ଼େ । ତେବେ କେବଳ ବିଜ୍ଞାପନ ଆୟରେ ଏହା ଭରଣା ହୋଇପାରିବ ବୋଲି ମାନସିକତା ଭ୍ରମାନ୍ତକ । ‘ଗାର୍ଡ଼ିଅନ’ ଏକ ମୁକ୍ତ ସାମ୍ୱାଦିକତା ମଞ୍ଚ ରୂପେ ଗଢ଼ି ତୋଳି ଉଠିଥିବା ସ୍ଥଳେ ପାଠକ ଓ ସମର୍ଥକମାନଙ୍କ ସାଙ୍ଗକୁ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିଷ୍ଠିତ କେତେକ ବଦାନ୍ୟ ନ୍ୟାସ ସଂସ୍ଥା ଆଧୁନିକ ଯୁଗରେ କ୍ରୀତଦାସ ସମସ୍ୟା ଓ ଜଳବାୟୁ ପରିବର୍ତ୍ତନ ଭଳି ବିଷୟରେ ସମ୍ୱାଦ ପ୍ରଯୋଜନା ନିମନ୍ତେ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି ।


 

କ୍ୟାଥେରିନ ଭିନାରଙ୍କ ଦ୍ୱାରା ୨୦୨୦ ଏପ୍ରିଲ ଶେଷ ସପ୍ତାହରେ ପ୍ରକାଶିତ ସ୍ୱୀକାରୋକ୍ତି ଅନୁଯାୟୀ ‘କୋଭିଡ଼-୧୯’ ମହାମାରୀ ଅବସରରେ ବିଶ୍ୱବ୍ୟାପୀ ବିଜ୍ଞାପନ ଆୟ ହ୍ରାସରେ ସମ୍ୱାଦଶିଳ୍ପ ଦୁରାବସ୍ଥାର ଶୀକାର ହୋଇଥିବା ସ୍ଥଳେ ‘ଗାର୍ଡ଼ିଅନ’ ନିମନ୍ତେ ଗ୍ରାହକଚାନ୍ଦା ଓ ଦାନ ସନ୍ତୋଷଜନକସ୍ତରକୁ ବୃଦ୍ଧି ପ୍ରାପ୍ତ ହୋଇଛି । ଗ୍ରାହକ ସଂଖ୍ୟା ୨୦୧୮-୧୯ ତୁଳନାରେ ୨୩ ପ୍ରତିଶତ ବୃଦ୍ଧି ପାଇ ୨୦୧୯-୨୦ରେ ୮ ଲକ୍ଷ ୨୧ ହଜାରରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୪ ଲକ୍ଷ ୪୬ ହଜାର ପାଠକପାଠିକା ନିର୍ଦ୍ଧାରିତ ସାଧାରଣ ଗ୍ରାହକଚାନ୍ଦାଠାରୁ ବର୍ଦ୍ଧିତ ହାର ପ୍ରଦାନ କରିଥିଲେ ।


 

ପ୍ରଶ୍ନ ଉଠେ ଗାର୍ଡ଼ିଅନ ସାମ୍ୱାଦିକତାରେ ଯେଉଁ ସଫଳତା ମିଳିଛି ତାହା ଅନ୍ୟତ୍ର ତଥା ଅନ୍ୟାନ୍ୟ ସମ୍ୱାଦଶିଳ୍ପରେ ସଂଭବପର କି ? କୁହାଯାଇପାରେ ଯେ ‘ଗାର୍ଡ଼ିଅନ’ ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା ଓ ଆଷ୍ଟ୍ରେଲିଆ ସମେତ ବିଶ୍ୱର ବହୁ ବିକଶିତ ରାଷ୍ଟ୍ରର ଆଗଧାଡ଼ିର ବୁଦ୍ଧିଜୀବୀ ଓ ଚିନ୍ତନାୟକ ସମୃଦ୍ଧ ପାଠକଗୋଷ୍ଠୀଙ୍କୁ ପ୍ରଭାବିତ କରିପାରିଛି । ସମସ୍ତ ପ୍ରକାଶନ ଏପରି ସୁଯୋଗ ସୃଷ୍ଟି କରିବା ସଂଭବ କି ? ସରଳ ଉତ୍ତରରେ ନିର୍ଦ୍ଦିଷ୍ଟ ପ୍ରକାଶନ ନିମନ୍ତେ ପାଠକ ସୃଷ୍ଟି ଦାୟିତ୍ୱ ସଂପୃକ୍ତ ମଞ୍ଚ ହିଁ ବହନ କରିବା ଯୁକ୍ତିଯୁକ୍ତ । ଯେଉଁମାନେ ଏଭଳି ଭୂମିକାରେ ସଫଳତା ହାସଲ କରିପାରୁ ନାହାନ୍ତି, ସେମାନେ ସମ୍ୱାଦ ପ୍ରକାଶନ ଦୌଡ଼ରୁ ଓହରିଯିବା ଶ୍ରେୟସ୍କର ମନେ କରାଯାଇ ପାରେନା କି ?


 

‘ଗାର୍ଡ଼ିଆନ’ ସାମ୍ୱାଦିକତା ସଫଳତାରେ ଆକର୍ଷିତ ହୋଇ ବିଶ୍ୱବ୍ୟାପୀ କେତେକ ଡିଜିଟାଲ ସମ୍ୱାଦ ମଞ୍ଚ ବିନା ଶୁଳ୍କ ‘ପେ-ୱାଲ’ରେ ସମ୍ୱାଦ ଆହରଣ କରିବା ସୁଯୋଗ ଦେଇ ଗ୍ରାହକଚାନ୍ଦା ଓ ବଦାନ୍ୟତା ଆହ୍ୱାନ କରିବା ଧାରା ଅନୁସରଣ କରିଥିବା ଦେଖାଯାଏ । ଭାରତରେ ‘ଦି ୱାଏର’ ଏକ ଉଦାହରଣ । ବରିଷ୍ଠ ସାମ୍ୱାଦିକ ତଥା ‘ଦି ହିନ୍ଦୁ’ ସମ୍ୱାଦପତ୍ରରେ ଏକଦା ସଂପାଦକ ରୂପେ କାର୍ଯ୍ୟନିର୍ବାହ କରିଥିବା ସିଦ୍ଧାର୍ଥ ଭର୍ଦରାଜନ ୨୦୧୫ରେ ସମ୍ୱାଦ ମଞ୍ଚଟି ପ୍ରତିଷ୍ଠା କରିଥିଲେ ।


 

ବ୍ରିଟେନର ‘ଲିଭରପୁଲ ଏକୋ’ ନାମକ ଏକ ଆଞ୍ଚଳିକ ସମ୍ୱାଦ ମଞ୍ଚ ୨୦୨୦ ଏପ୍ରିଲରୁ ପାଠକମାନଙ୍କ ବଦାନ୍ୟତା ନିମନ୍ତେ ନିବେଦନ କରିଛି । ‘ମିରର’ ଓ ‘ଏକ୍ସପ୍ରେସ’ ସମ୍ୱାଦପତ୍ର ପ୍ରକାଶ କରୁଥିବା ‘ରିଚ’ ସଂସ୍ଥା ଏହାର ସତ୍ତ୍ୱାଧିକାରୀ । ‘ଲିଭରପୁଲ ଏକୋ’ ୧୪୧ ବର୍ଷ ଧରି ଲିଭରପୁଲ ଓ ମେରସେସାଇଡ଼ ଅଞ୍ଚଳର ସମ୍ୱାଦ ପରିବେଷଣ କରି ଆସିଛି । ‘କୋଭିଡ଼-୧୯’ ମହାମାରୀ ଅବସ୍ଥାରେ ବିଜ୍ଞାପନ ଆୟ ହ୍ରାସ ହେତୁ ବିକଳ୍ପ ଆୟର ସୂତ୍ର ଖୋଜିବାହାର କରିବା ନିମନ୍ତେ ଜାତୀୟସ୍ତରରେ ‘ଗାଡ଼ିଅନ’ ଧାରାକୁ ଅନୁସରଣ କରିଛି ।


 

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ କାରଣରୁ ମୁଦ୍ରିତ ସମ୍ୱାଦପତ୍ର ପକ୍ଷରୁ ଗ୍ରାହକଚାନ୍ଦା କିମ୍ୱା ବିଜ୍ଞାପନ ଦେୟ ବ୍ୟତୀତ ଅର୍ଥ ଗ୍ରହଣ କରିବା ପରମ୍ପରା ସାମ୍ୱାଦିକତା ପରିପ୍ରକାଶ କାଳରୁ ବଳବତ୍ତର ରହିଆସିଛି । ଗାର୍ଡ଼ିଅନ ସାମ୍ୱାଦିକତାରେ ଏତାଦୃଶ ଅର୍ଥଗ୍ରହଣରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯାଇଛି । ସମ୍ୱାଦମଞ୍ଚଗୁଡ଼ିକ ପ୍ରଶାସନିକସ୍ତରରେ ଦୁର୍ନୀତିର ପର୍ଦ୍ଦାଫାଶ ଓ ସାମାଜିକ ବିକାଶ ମୂଳଭିତ୍ତିରୂପେ ଗ୍ରହଣ କରୁଥିବା ସ୍ଥଳେ ନିଜର ପ୍ରକାଶନ ଅର୍ଥନୀତି କିପରି ଦୁର୍ନୀତିରୁ ଦୂରେଇ ରହିବ ସେଦିଗରେ ଯତ୍ନଶୀଳ ହେବା ଆବଶ୍ୟକ । ସମ୍ୱାଦ, ପ୍ରାୟୋଜିତ ସମ୍ୱାଦ ଓ ବିଜ୍ଞାପନର ଉଚିତ ବିଭକ୍ତିକରଣ ସାଙ୍ଗକୁ ପ୍ରକାଶନ ଅର୍ଥନୀତିରେ ଗ୍ରାହକଚାନ୍ଦା, ବଦାନ୍ୟତା ଓ ବିଜ୍ଞାପନ ଦେୟ ସ୍ପଷ୍ଟ ସୂଚିତ କରାଯାଇପାରିଲେ ବ୍ୟାବସାୟିକ ସ୍ୱଚ୍ଛତା ବୃଦ୍ଧି ପାଇପାରିବ ।


 

‘କୋଭିଡ଼-୧୯’ ସଂକ୍ରମଣରେ ଆନ୍ତର୍ଜାତିକସ୍ତରରେ ସମ୍ଭାବ୍ୟ ମାନ୍ଦାବସ୍ଥା ସମ୍ୱାଦଶିଳ୍ପର ପାରମ୍ପରିକ ବ୍ୟାବସାୟିକ ଧାରାକୁ ପ୍ରତିହତ କରିବା ଆଶଙ୍କା ଦୃଢ଼ୀଭୂତ ହେଉଥିବା ସ୍ଥଳେ ବିକଳ୍ପ ଗ୍ରାହକଚାନ୍ଦାଭିତ୍ତିକ ଧାରାର ପ୍ରସାର ସାମ୍ୱାଦିକତାର ଗୁଣାତ୍ମକ ବିକାଶରେ ସହାୟକ ହେବା ବିଶ୍ୱାସ ଏବଂ ସେହି ଦିଗରେ ‘ଗାର୍ଡ଼ିଅନ’ ଭଳି ସମ୍ୱାଦମଞ୍ଚର ଉଦାହରଣ ସମକାଳ ଗଣମାଧ୍ୟମ ପରିଧିରେ ଗୁରୁତ୍ୱ ବହନ କରେ ।                    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ମେ ୨୦୨୦


ତଥ୍ୟ:



Waterson, Jim. Guardian report surge in readers’support over past year. <www.theguardian.com>. April 29, 2020 



<https://www.theguardian.com/media/2020/apr/29/guardian-reports-surge-in-readers-support-over-past-year>


 

Tobitt, Charlotte. Liverpool echo issues contributions plea as Guardian voluntary payments grow by fifth. <www.pressgazette.co.uk> April 29, 2020

ମହାମାରୀ- ପର ସମ୍ୱାଦ ମଞ୍ଚ ଗ୍ରାହକ

ମହାମାରୀ-ପର ଅବସ୍ଥାରେ ଗଣମାଧ୍ୟମରେ ସଂଘଠିତ ବିଭିନ୍ନ ପରିବର୍ତ୍ତନ ମଧ୍ୟରେ ସମ୍ୱାଦ ମଞ୍ଚ ପାଠକ ଓ ଦର୍ଶକଙ୍କ ସଂଖ୍ୟା, ଅଭ୍ୟାସ ଓ ରୁଚ଼ି ବଦଳିବା ସ୍ୱାଭାବିକ । ଏସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ ନୂତନ ସଂପାଦକୀୟ ନୀତି ନିର୍ଦ୍ଧାରଣରେ ସହାୟକ ହେବା ଆଶା କରାଯାଇପାରେ ।


 

ଅତୀତରେ ଗଣମାଧ୍ୟମ ମଞ୍ଚଗୁଡ଼ିକର ଅବୟବ ଓ ବ୍ୟାପ୍ତି ସୀମିତ ରହିଆସିଥିଲା । ସେହି ସମୟରେ ସଂପାଦକମାନେ ପାଠକୀୟତା ସଂପର୍କରେ ନିଜ ଅଭିଜ୍ଞତା ଓ ଅନୁମାନକୁ ପାଥେୟକରି ସମ୍ୱାଦପତ୍ର ପରିଚାଳନା କରୁଥିଲେ । କିନ୍ତୁ ସମକାଳରେ ଗଣମାଧ୍ୟମ ମଞ୍ଚଗୁଡ଼ିକ ମଧ୍ୟରେ ପ୍ରତିଯୋଗିତାମୂଳକ ପରିବେଶ ଉପଭୋକ୍ତାଙ୍କ ସଂପର୍କରେ ନିର୍ଭୂଲ ଟିକିନିଖି ତଥ୍ୟ ପରିସଂଖ୍ୟାନ ଭିତ୍ତିରେ ସଂଗ୍ରହ କରାଯାଇ ତଦ୍ ଅନୁଯାୟୀ ସଂପାଦକୀୟ ନୀତି ପ୍ରଯୋଜନା ଆବଶ୍ୟକ ପଡୁଛି ।


 

ବିକଶିତ ରାଷ୍ଟ୍ରଗୁଡ଼ିକରେ ଗଣମାଧ୍ୟମ ଉପଭୋକ୍ତାଙ୍କ ମଧ୍ୟରେ ଅବିରତ ସର୍ବେକ୍ଷଣ ଆୟୋଜନ ହୋଇଥାଏ । ଭାରତରେ ଏହି ଧରଣର ଗବେଷଣାର ସଂଖ୍ୟା ସୀମିତ ଥିବା ସ୍ଥଳେ ଓଡ଼ିଆରେ ପ୍ରାୟତଃ ବିରଳ । ରାଜ୍ୟରେ ଗଣମାଧ୍ୟମ ମଞ୍ଚଗୁଡ଼ିକ ପ୍ରଭାବଶାଳୀ ପ୍ରମାଣିତ ହେଉଥିଲେ ହେଁ ଅର୍ଥନୀତି ଓ ଗୁଣବତ୍ତା ଦୃଷ୍ଟିରୁ ଅନୁନ୍ନତ ଅବସ୍ଥାରେ ପଡ଼ିରହିଥିବା କାରଣରୁ ପାରମ୍ପରିକ ଢାଞ୍ଚାରେ ସମ୍ୱାଦ ମଞ୍ଚଗୁଡ଼ିକର ସଂପାଦକୀୟ ନୀତି ପ୍ରଯୋଜିତ ହୋଇଥାଏ ।


 

ଅପରପକ୍ଷେ କତିପୟ ଆଗ୍ରହୀ ସଂପାଦକ ସର୍ବଭାରତୀୟ କିମ୍ୱା ଆନ୍ତର୍ଜାତିକସ୍ତରର ପରିସଂଖ୍ୟାନ ବିଚାରକୁ ନେବା ପାଇଁ ବାଧ୍ୟ ହୋଇଥାନ୍ତି । ‘କୋଭିଡ଼-୧୯’ ଲକଡ଼ାଉନ-ପର ଅବସ୍ଥାରେ ସମ୍ୱାଦ ମଞ୍ଚ ଉପଭୋକ୍ତାଙ୍କ ସଂପର୍କରେ ସବିଶେଷ ତଥ୍ୟ ହାସଲ ନିମନ୍ତେ ବ୍ରିଟେନରେ ଜୁଲାଇ ୨୦୨୦ରେ ୬,୬୨୧ ଜଣ ପ୍ରାପ୍ତ-ବୟସ୍କଙ୍କୁ ନମୂନାଭାବେ ଗ୍ରହଣ କରି ‘ୟୁ-ଗଭ’ ପକ୍ଷରୁ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ୯୯୩ ଜଣ ସମ୍ୱାଦ ମଞ୍ଚ ଗ୍ରାହକ ଅନ୍ତର୍ଭୁକ୍ତ ଥିଲେ ।


 

ଲକଡ଼ାଉନ-ପର ପରିବେଶରେ ଟେଲିଭିଜନ, ଇଣ୍ଟରନେଟ ଓ ମୁଦ୍ରିତ ସମ୍ୱାଦପତ୍ରର ଗ୍ରାହକଙ୍କ ମଧ୍ୟରୁ ଅର୍ଦ୍ଧେକ ୫୫ ବର୍ଷରୁ ଉର୍ଦ୍ଧ୍ୱ ଗଣିତ ହୋଇଥିବା ଜଣାଯାଏ । ଏହା ପରକୁ ୨୫ ରୁ ୩୯ ବର୍ଷ ବୟସବର୍ଗରୁ ୨୦ ପ୍ରତିଶତ, ୪୦ ରୁ ୫୪ ବୟସ ବର୍ଗରୁ ୧୮ ପ୍ରତିଶତ ଏବଂ ୨୫ ବର୍ଷରୁ କମ ବୟସ ବର୍ଗରୁ ମାତ୍ର ୧୨ ପ୍ରତିଶତ କୌଣସି ଏକ କିମ୍ୱା ଏକାଧିକ ସମ୍ୱାଦ ମଞ୍ଚର ଗ୍ରାହକଶ୍ରେଣୀଭୁକ୍ତ । ସମ୍ୱାଦ ଗ୍ରାହକଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୫୭ ପ୍ରତିଶତ ଥିବା ସ୍ଥଳେ ମହିଳା ସଂଖ୍ୟା ୪୩ ପ୍ରତିଶତରେ ସୀମିତ ।


 

ପାରମ୍ପରିକଭାବେ ଆମ ଦେଶରେ ଅନେକ ସମ୍ପାଦକଙ୍କ ଧାରଣା ଯେ ଜନସଂଖ୍ୟାର ୯୦ ଭାଗ ୬୦ ବର୍ଷରୁ କମ ଏବଂ ଅର୍ଦ୍ଧେକ ଯୁବକ ଥିବା ହେତୁ ସମ୍ୱାଦପତ୍ରଗୁଡ଼ିକ ମୁଖ୍ୟତଃ ଯୁବବର୍ଗଙ୍କ ରୁଚିକେନ୍ଦ୍ରୀକ ହେବା ଆବଶ୍ୟକ । ଉଦାହରଣରେ ମୁଦ୍ରିତ ସମ୍ୱାଦପତ୍ରକୁ ଗ୍ରହଣ କରାଗଲେ ବ୍ରିଟେନର ପରିସଂଖ୍ୟାନ ଓଡ଼ିଶାରେ କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର ସାପେକ୍ଷ । ତେବେ ବ୍ରିଟେନର ନମୂନା ମଧ୍ୟରେ ମାତ୍ର ୧୨ ପ୍ରତିଶତ ୨୫ ବର୍ଷରୁ କମ ବୟସବର୍ଗ ଯଦି ଗ୍ରାହକ, ତେବେ ଓଡ଼ିଶାରେ ସେମାନଙ୍କ ସଂଖ୍ୟା ଆମେ ସେତିକିରେ ରଖିବା ନା କିଛି ସଂପ୍ରସାରିତ କରିବା ! ବ୍ରିଟେନରେ ଯଦି ୫୦ ପ୍ରତିଶତ ଗ୍ରାହକଙ୍କ ସଂଖ୍ୟା ୫୫ ବର୍ଷରୁ ଉର୍ଦ୍ଧ୍ୱ ତେବେ ଓଡ଼ିଶାରେ ମଧ୍ୟ ସେତିକି ଆଶା କରିବା ନା କିଛି ସଂକୁଚିତ କରିବା ? ପ୍ରତ୍ୟେକ ସମ୍ପାଦକଙ୍କ ବିଚାର ଭିନ୍ନ ଭିନ୍ନ ହେଲେ ହେଁ ଯୁକ୍ତଯୁକ୍ତ ସ୍ତରରେ ବିଶେଷ ପ୍ରଭେଦ ନ ରହିବା କଥା ।


 

ସମ୍ୱାଦ ମଞ୍ଚଗୁଡ଼ିକରୁ ଯୁବବର୍ଗ ଦୂରେଇ ଯିବାର ତିନିଗୋଟି ମୁଖ୍ୟ କାରଣ ମଧ୍ୟରେ ପ୍ରଥମତଃ, ସୋସିଆଲ ମିଡ଼ିଆରେ ଦୀର୍ଘ ସମୟ ଉପସ୍ଥିତି, ଦ୍ୱିତୀୟରେ ଅପରିଚ଼ିତ ସମ୍ୱାଦ ମଞ୍ଚ ସଂପାଦକଙ୍କ ତୁଳନାରେ ପରିଚିତ ବନ୍ଧୁବର୍ଗଙ୍କ ସୋସିଆଲ ମିଡ଼ିଆରେ ଉପସ୍ଥାପିତ ସମ୍ୱାଦ ଓ ଅଭିମତକୁ ପ୍ରାଧାନ୍ୟ ଏବଂ ତୃତୀୟରେ ଆନ୍ତର୍ଜାତିକ, ରାଷ୍ଟ୍ରୀୟ ତୁଳନାରେ ଗଭୀର ଆଞ୍ଚଳିକ ସମ୍ୱାଦ ଓ ସମୀକ୍ଷାପ୍ରତି ଆଗ୍ରହ ଗୁରୁତ୍ୱପୂର୍ଣ୍ଣ । ସୋସିଆଲ ମିଡ଼ିଆରେ ବିନାଦେୟରେ ପର୍ଯ୍ୟାପ୍ତ ପରିମାଣରେ ସମ୍ୱାଦ ପାଇପାରୁଥିବା ସ୍ଥଳେ ଭର୍ଚୁଆଲ ପରିବେଶରେ ବନ୍ଧୁବର୍ଗଙ୍କ ସାନ୍ନିଧ୍ୟରୁ ବିରତି ନେଇ ଯୁବବର୍ଗ ପାରମ୍ପରିକ ସମ୍ୱାଦ ମଞ୍ଚରେ ପହଞ୍ଚିବାକୁ ନାରାଜ ।


 

କଥା ରହିଲା ବ୍ରିଟେନ ଓ ଓଡ଼ିଶାର ଯୁବବର୍ଗଙ୍କ ମଧ୍ୟରେ ତୁଳନାତ୍ମକ ବିଚାର । ଚିତ୍ରରେ ବ୍ରିଟେନର ଯୁବକଯୁବତୀଙ୍କ ପୋଷାକ ପରିଚ୍ଛେଦ ଓ ଓଡ଼ିଶାର ଛୋଟ ସହରର ଯୁବକଯୁବତୀଙ୍କ ପୋଷାକପରିଚ୍ଛେଦରେ ତ ୨୦୨୦ ସୁଦ୍ଧା ବିଶେଷ ତଫାତ ବାରିହେଉ ନାହିଁ । ସେମାନେ ଛଅ ଘଣ୍ଟା ଯାଏଁ ମୋବାଇଲ ଫୋନ ପର୍ଦ୍ଦାରେ କାଟୁଥିବା ବେଳେ ଆମ ପିଲାଏତ ଚ଼ାରି ଘଣ୍ଟା ଯାଏଁ ଅକ୍ଳେଶରେ ବିତାଇପାରୁଛନ୍ତି । ତେବେ ଜଗତୀକରଣ ପରିବେଶରେ ରୁଚି ଓ ଅଭ୍ୟାସ ମଧ୍ୟରେ ପ୍ରଭେଦ କେତେ ?


 

ମୁଦ୍ରିତ ସମ୍ୱାଦପତ୍ରର ଗ୍ରାହକଙ୍କ ମଧ୍ୟରୁ ଅର୍ଦ୍ଧେକ ଯଦି ୫୫ ବର୍ଷରୁ ଉର୍ଦ୍ଧ୍ୱ ବର୍ଗର ତେବେ ସମ୍ୱାଦପତ୍ରର ପାଠ୍ୟ ଓ ଆଙ୍ଗିକ ୨୫ ବର୍ଷରୁ କମ ବର୍ଗଙ୍କ ପାଇଁ ପ୍ରଯୋଜନା କରିବା ଦୋଷାବହ ପ୍ରମାଣିତ ହେବ ନାହିଁ କି ? ମହାମାରୀ-ପର ପରିବେଶରେ ଓଡ଼ିଶା ଭଳି ରାଜ୍ୟରେ ଟେଲିଭିଜନ ଓ ସୋସିଆଲ ମିଡ଼ିଆର ପ୍ରସାର ଏବଂ ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ସମ୍ଭାବ୍ୟ ବ୍ୟାପ୍ତି ଅବସରରେ ସାଧାରଣ ପାଠକ କେଉଁ ଭଳି ସମ୍ୱାଦ ନିମନ୍ତେ ସମ୍ୱାଦପତ୍ର ପୃଷ୍ଠାକୁ ଲେଉଟାଇବେ ତାହା ବିଚାର କରିବା ବେଳ ଆସି ପହଞ୍ଚିଛି । ସେହିପରି ଯେଉଁ ବୟସବର୍ଗର ପାଠକ ବା ଦର୍ଶକ ଯେଉଁ ସମ୍ୱାଦ ମଞ୍ଚଗୁଡ଼ିକରେ ଅଧିକ ସଂଖ୍ୟାରେ ଗ୍ରାହକ, ସଂପୃକ୍ତ ମଞ୍ଚ ତଦ୍ ଅନୁଯାୟୀ ସଂପାଦକୀୟ ନୀତି ନିର୍ଦ୍ଧାରଣ ଜରୁରୀ ।


 

ବ୍ରିଟେନରେ ‘ୟୁ-ଗଭ’ ଗଣମାଧ୍ୟମ ସର୍ବେକ୍ଷଣରୁ ଆହୁରି ଜଣାଯାଇଛି ଯେ ସାଧାରଣତଃ ୧୭ ପ୍ରତିଶତ ଉପଭୋକ୍ତା ମୁଦ୍ରିତ ସମ୍ୱାଦପତ୍ରକୁ ସମ୍ୱାଦ ଅବଗତ ହେବା ଲାଗି ମୁଖ୍ୟ ମାଧ୍ୟମ ରୂପେ ଗ୍ରହଣ କରୁଥିବା ସ୍ଥଳେ ମୋଟ ସମ୍ୱାଦପତ୍ର ଗ୍ରାହକଙ୍କ ମଧ୍ୟରୁ ଏକ ପଞ୍ଚମାଂଶ ଟେଲିଭିଜନରୁ ପ୍ରଥମେ ସମ୍ୱାଦ ଅବଗତ ହୋଇଥାନ୍ତି । ଅର୍ଥାତ ୨୦ ପ୍ରତିଶତ ଉପଭୋକ୍ତା ଉଭୟ ସମ୍ୱାଦପତ୍ର ଓ ଟେଲିଭିଜନକୁ ସମ୍ୱାଦ ଜାଣିବା ନିମନ୍ତେ ଉପଯୋଗ କରିଥାନ୍ତି ଏବଂ ଘଟଣା ସଂପର୍କରେ ଟେଲିଭିଜନରୁ ଜାଣିବା ପରେ ସମ୍ୱାଦପତ୍ରରେ ଅତିରିକ୍ତ ତଥ୍ୟ ଖୋଜିଥାନ୍ତି । ଭବିଷ୍ୟତରେ ମୁଦ୍ରିତ ସମ୍ୱାଦପତ୍ର ଗ୍ରାହକମାନେ ଉଭୟ ଟେଲିଭିଜନ ଓ ସୋସିଆଲ ମିଡ଼ିଆ ଦୀର୍ଘ ସମୟଧରି ବ୍ୟବହାର କରିବା ଆକଳନ କରାଯାଉଥିବା ହେତୁ ତିନିଗୋଟି ସମ୍ୱାଦ ମଞ୍ଚର ଆଙ୍ଗିକ ପରିପୂରକ ହେବା ବାଞ୍ଚନୀୟ ।


 

ସମ୍ୱାଦ ମଞ୍ଚଗୁଡ଼ିକର ଗ୍ରାହକମାନଙ୍କ ଆବଶ୍ୟକତାକୁ କେନ୍ଦ୍ର କରି ସଂପୃକ୍ତ ମଞ୍ଚର ସଂପାଦକୀୟ ନୀତି ନିର୍ଦ୍ଧାରିତ ହୋଇପାରିଲେ ପାଠକୀୟ ଓ ଦର୍ଶକୀୟ ସ୍ୱୀକୃତି ବୃଦ୍ଧି ଆଶା କରାଯାଇପାରେ । ଏହି କାରଣରୁ ପ୍ରତ୍ୟେକ ସମ୍ୱାଦ ମଞ୍ଚ ସାଧ୍ୟମତେ ନିଜ ପାଠକ ଓ ଦର୍ଶକଙ୍କ ରୁଚ଼ି ପରଖିବା ନିମନ୍ତେ ନିରବିଚ୍ଛିନ୍ନ ଉଦ୍ୟମ କରିବା ଆବଶ୍ୟକ । ଊଦାହରଣରେ ଅତିକମରେ ଗ୍ରାହକମାନଙ୍କ ଟେଲିଫୋନ ନମ୍ୱର ସଂଗ୍ରହ କରି ଯଦି ଛୋଟକାଟର ଟେଲି-ସର୍ବେକ୍ଷଣ ଆୟୋଜନ କରିପାରନ୍ତେ ତେବେ ନିଜ ନିଜ ସମ୍ପାଦକୀୟ ନୀତି କେତେଦୂର ଗ୍ରାହକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁଛି ତାହା ଜାଣି ପାରନ୍ତେ । ବ୍ରିଟେନର ‘ୟୁ-ଗଭ’ ସର୍ବେକ୍ଷଣରୁ ସମ୍ୱାଦ ମଞ୍ଚ ଗ୍ରାହକମାନେ ଦୀର୍ଘକାଳ ଲାଗି ଏକକ ମଞ୍ଚ ପ୍ରତି ଅନୁଗତ ରହୁଥିବା ସୂଚ଼ିତ ହୋଇଥିବା ସ୍ଥଳେ ପରିବର୍ତ୍ତିତ ପରିବେଶରେ ଗ୍ରାହକମାନଙ୍କ ଆବଶ୍ୟକତା ଓ ରୁଚି ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହକରି ତାହା ପୂରଣ ଦିଗରେ ଯତ୍ନବାନ ହେବା ପରିହାର୍ଯ୍ୟ ।                     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅଗଷ୍ଟ ୨୦୨୦


ତଥ୍ୟ:



Tobitt, Charlotte. Half of all print and online  news subscribers are over 55 survey shows. Press Gazette, August 4, 2020. 



<www.pressgazette.co.uk/half-of-newspaper-subscribers-over-55-survey/ ?utm>

ମହାମାରୀ- ପର ଡ଼ିଜିଟାଲ ମଞ୍ଚ

ମହାମାରୀଜନିତ ସଂକଟ ଭାରତରେ ଡିଜିଟାଲ ମଞ୍ଚ ବିକାଶ ନିମନ୍ତେ ପ୍ରଶସ୍ତ ସୁଯୋଗ ସୃଷ୍ଟି କରିଥିଲା । ଏହି ସମୟସୀମାରେ ରିଲାଏନ୍ସ ଇଣ୍ଡାଷ୍ଟ୍ରୀଜ ଲିମିଟେଡ଼ର ଜିଓ ପ୍ଳାଟଫରମ ସର୍ବାଧିକ ଲାଭବାନ ହୋଇଥିବା ପ୍ରାମାଣିତ । ଡିଜିଟାଲ ନେଟୱାର୍କ କମ୍ପାନୀଟିକୁ ଋଣମୁକ୍ତ ଗଢ଼ି ତୋଳିବା ନିମନ୍ତେ ଲକ୍ଷେ ବାବନ ହଜାର କୋଟି ଟଙ୍କା ଅଂଶଧନ ସଂଗ୍ରହ କରାଯାଇଥିବା ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଆମ୍ୱାନୀ ଜୁଲାଇ ୨୦୨୦ ମଧ୍ୟଭାଗରେ ଆୟୋଜିତ ୪୩ ତମ ବାର୍ଷିକ ସାଧାରଣ ଅଧିବେଶନରେ ପ୍ରକାଶ କରିଥିଲେ । ଭାରତୀୟ ଡ଼ିଜିଟାଲ ମଞ୍ଚ ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ରୂପେ ଲିପିବଦ୍ଧ ।


 

ଜିଓ ପ୍ଳାଟଫରମରେ ସିଲଭର ଲେକ, ଭିଷ୍ଟା ଇକ୍ୟୁଟି, ଜେନେରାଲ ଅଟାଲାଣ୍ଟିକ, ଲେକାଲଟ୍ରନ, କେକେଆର, ଟିପିଜି ସମେତ ଇଣ୍ଟେଲ, କ୍ୱାଲାକମ, ଫରଦର, ସୋଭରିନ ୱେଲଥ ଫଣ୍ଡସ, ଅବୁଧାବି ଇନଭେଷ୍ଟମେଣ୍ଟ ଅଥରିଟି ଓ ସାଉଦୀ ଆରବର ପବ୍ଳିକ ଇନଭେଣ୍ଟମେଣ୍ଟ ଫଣ୍ଡ ପ୍ରମୁଖ ଅଂଶଧନ କ୍ରୟ କରିଥିଲେ । ତେବେ ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଆନ୍ତର୍ଜାତିକସ୍ତରରେ ପ୍ରଭାବ ବିସ୍ତାର କରିଥିବା ଦୁଇ ମୁଖ୍ୟ ଡ଼ିଜିଟାଲ ପ୍ରତିଦ୍ୱନ୍ଦୀ ଫେସବୁକ ଓ ଗୁଗୁଲ ମଧ୍ୟ ଜିଓ ପ୍ଳାଟଫରମରେ ଅଂଶୀଦାର ହୋଇଥିଲେ । ଫେସବୁକ ୪୩,୫୭୪ କୋଟି ଟଙ୍କା ଏବଂ ଗୁଗୁଲ ୩୩,୭୩୭ କୋଟି ଟଙ୍କା ରିଲାଏନ୍ସରେ ନିବେଶ କରିବା ଘୋଷଣା କରିଥିଲେ ।


 

ଆନ୍ତର୍ଜାତିକସ୍ତରରେ ପ୍ରଥମ ଶହେ କୋଟି ‘ବିଲିଅନ’ ଇଣ୍ଟରନେଟ ଉପଭୋକ୍ତା ରୂପେ ବିକଶିତ ରାଷ୍ଟ୍ର ଓ ସହରାଞ୍ଚଳବାସୀ ଚ଼ିହ୍ନଟ ହୋଇଥିବା ସ୍ଥଳେ ପରବର୍ତ୍ତୀ ଶହେକୋଟି ‘ନେକ୍ସଟ ବିଲିଅନ’ ବିକାଶଶୀଳ ରାଷ୍ଟ୍ର ଓ ଗ୍ରାମାଞ୍ଚଳବାସୀ ସାମିଲ ହେବା ଆକଳନ କରାଯାଉଥିବା ହେତୁ ଭାରତରେ ୨୦୨୫ ରୁ ୨୦୨୭ ସୁଦ୍ଧା ଡିଜିଟାଲ ମଞ୍ଚର ଦୃତ ବିକାଶ ଆଶା କରାଯିବା ସ୍ୱାଭାବିକ । ମାନବ ସଭ୍ୟତାର କ୍ରମବିକାଶରେ ଅତ୍ୟାଧୁନିକ ସୁବିଧାସୁଯୋଗ ହାସଲ ନିମନ୍ତେ କାରିଗରୀ କୌଶଳ ଉପଯୋଗ ଅପରିହାର୍ଯ୍ୟ ହୋଇପଡୁଥିବା ତଥା ସରକାରୀସ୍ତରରେ ଅନୁକୁଳ ନୀତି ପ୍ରଣୟନ ହେଉଥିବା ହେତୁ ଦେଶରେ ବ୍ୟାବସାୟିକସ୍ତରରେ ଡିଜିଟାଲ ମଞ୍ଚରେ ନିବେଶ ବୃଦ୍ଧି ପାଇବାରେ ଲାଗିଛି । ମହାମାରୀରେ ଜନପଦ ବନ୍ଦ ଲକଡ଼ାଉନ-ସଟଡାଉନ ପରିବେଶରେ ବ୍ୟବସାୟ, ପ୍ରଶାସନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ମନୋରଞ୍ଜନ ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ ଉପଯୋଗ ତ୍ୱରାନ୍ୱିତ ହୋଇଛି । ମହାମାରୀ-ପର ଅବସ୍ଥାରେ ପରିବର୍ତ୍ତିତ ପରିବେଶ ‘ନିଉ ନରମାଲ’ ଆଙ୍ଗିକର ପୂର୍ବପ୍ରସ୍ତୁତିରେ ବହୁ ଉଦ୍ୟୋଗ ଡ଼ିଜିଟାଲ ମଞ୍ଚ ବିକାଶରେ ସାମିଲ ହୋଇଛନ୍ତି ।


 

ଫଡ଼ରେସନ ଅଫ ଚ଼େମ୍ୱର ଅଫ କମର୍ସ ଏଣ୍ଡ ଇଣ୍ଡାଷ୍ଟ୍ରୀଜ ପକ୍ଷରୁ ବ୍ୟାବସାୟିକ ଗବେଷଣା ସଂସ୍ଥା ‘ଡ଼େଲଟ ଇଣ୍ଡିଆ’ ସହାୟତାରେ ପ୍ରସ୍ତୁତ ତଥା ଜୁଲାଇ ୨୦୨୦ରେ ପ୍ରକାଶିତ ‘ଇକନୋମିକ ଇମ୍ପାକ୍ଟ ଅଫ ଫିଲ୍ମ, ଟେଲିଭିଜନ ଏଣ୍ଡ ଅନଲାଇନ ଭିଡ଼ିଓ ଇଣ୍ଡଷ୍ଟ୍ରୀ ଇନ ଇଣ୍ଡିଆ ୨୦୧୯’ରେ ପ୍ରତିପାଦିତ ତଥ୍ୟାବଳୀ ଅନୁଯାୟୀ ଟେଲିଭିଜନ ପରକୁ ଡ଼ିଜିଟାଲ ମଞ୍ଚ ଦ୍ୱିତୀୟ ବୃହତ୍ତ ମଞ୍ଚ ରୂପେ ଭାରତରେ ମୁଣ୍ଡ ଟେକିଛି । ଦେଶର ଜନସାଧାରଣ ଗଣମାଧ୍ୟମରେ ଅତିବାହିତ କରୁଥିବା ମୋଟ ସମୟ ମଧ୍ୟରୁ ୩୨ ପ୍ରତିଶତ ଅର୍ଥାତ ବ୍ୟକ୍ତିପିଚ୍ଛା ଦୈନିକ ଏକଘଣ୍ଟା ୨୯ ମିନଟ ସମୟ ଡିଜିଟାଲ ମଞ୍ଚରେ ବିନିଯୋଗ କରିଥାନ୍ତି । ଅବଶ୍ୟ ଟେଲିଭିଜନ ପରିବେଶରେ ୫୮.୭ ପ୍ରତିଶତ ଅର୍ଥାତ ଦୁଇ ଘଣ୍ଟା ୫୫ ମିନଟ ଯାଏଁ ଉପସ୍ଥିତ ରହନ୍ତି ।


 

ଭାରତର ବିସ୍ତୃତ ଭୌଗଳିକ ପରିବେଶ ଓ ବହୁଳ ଜନସଂଖ୍ୟା ଡିଜିଟାଲ ମଞ୍ଚ ମୁହାଁ ହେଉଥିବା ତଥା କ୍ରମଶଃ ଅଧିକରୁ ଅଧିକ ସମୟ ବିନିଯୋଗ କରୁଥିବା ପରିସଂଖ୍ୟାନ ବିଦେଶୀ କମ୍ପାନୀଗୁଡ଼ିକ ଏଠାରେ ପୁଞ୍ଜି ନିବେଶ କରାଇବା ନିମନ୍ତେ ଏକ ରକମ ବାଧ୍ୟବାଧକତାରେ ପରିଣତ ହୋଇଛି ବୋଲି କହିବାକୁ ହେବ । ଗୁଗୁଲ ପକ୍ଷରୁ ଭାରତରେ ୨୦୨୫ ରୁ ୨୦୨୭ ସୁଦ୍ଧା ୭୫ ହଜାର କୋଟି ଟଙ୍କା ପୁଞ୍ଜିଲଗାଣ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେଥିମଧ୍ୟରୁ ୪୫ ପ୍ରତିଶତ ବିନିଯୋଗରେ ଜିଓ ପ୍ଳାଟଫରମରେ ୭.୭ ପ୍ରତିଶତ ଅଂଶଧନ କ୍ରୟ ଅନ୍ତର୍ଭୁକ୍ତ ।


 

ଗୁଗୁଲର ସତ୍ତ୍ୱାଧିକାରୀ ‘ଆଲଫାବେଟ ଇନକରପୋରେସନ’ର ମୁଖ୍ୟ ପରିଚାଳକ ସୁନ୍ଦର ପିଚାରି ‘ଗୁଗୁଲ ଫର ଇଣ୍ଡିଆ’ ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ଜୁଲାଇ ୧୩ରେ ଭାରତ ଆସିଥିଲେ । ‘ଗୁଗୁଲ ଫର ଇଣ୍ଡିଆ ଡିଜିଟାଲାଇଜେସନ ଫଣ୍ଡ’ ମାଧ୍ୟମରେ ଭାରତରେ ଡିଜିଟାଲ ମଞ୍ଚର ବିକାଶକଳ୍ପେ ଚାରିଗୋଟି କ୍ଷେତ୍ରରେ ଗୁଗୁଲର ଯୋଗଦାନ ସଂପର୍କରେ ଘୋଷଣା କରିଥିଲେ । ପ୍ରଥମତଃ ଅଧିକ ସଂଖ୍ୟକ ଉପଭୋକ୍ତା ଡିଜିଟାଲ ମଞ୍ଚ ବ୍ୟବହାର କରିବା ନିମନ୍ତେ ସୁଲଭ ମୂଲ୍ୟରେ ଉପକରଣ ଯୋଗାଣ ତଥା ଆଞ୍ଚଳିକ ଭାଷାରେ ତଥ୍ୟ ଉପଲବ୍ଧ ନିମନ୍ତେ ଉଦ୍ୟମ, ଦ୍ୱିତୀୟତଃ ସ୍ଥାନୀୟ ଆବଶ୍ୟକତା ପୂରଣ ନିମନ୍ତେ ପରିବେଶ ସୃଷ୍ଟି, ତୃତୀୟତଃ ବାଣିଜ୍ୟ ବ୍ୟବସାୟରେ ଡିଜିଟାଲ ମଞ୍ଚ ଉପଯୋଗ ଏବଂ ଚତୁର୍ଥତଃ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଭଳି ଉନ୍ନତ କାରିଗରୀକୌଶଳ ବ୍ୟବହାରରେ ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି କ୍ଷେତ୍ରରେ ବିବିଧ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପମାନ ଗ୍ରହଣ କରାଯିବ ।


 

ପ୍ରାଥମିକ ପଦକ୍ଷେପରେ ଗୁଗୁଲ ପକ୍ଷରୁ ସେଣ୍ଟ୍ରାଲ ବୋର୍ଡ଼ ଅଫ ସେକେଣ୍ଡରୀ ଏଜୁକେସନ ‘ସିବିଏସଇ’ ସହଯୋଗରେ ଦଶ ଲକ୍ଷ  ବିଦ୍ୟାଳୟ ଶିକ୍ଷକଙ୍କୁ ଡ଼ିସେମ୍ୱର ୨୦୨୦ ସୁଦ୍ଧା ଶିକ୍ଷା ପ୍ରଦାନରେ ଡିଜିଟାଲ ମଞ୍ଚ ବ୍ୟବହାର ସଂପର୍କରେ ପ୍ରଶିକ୍ଷିତ କରାଯିବା ସ୍ଥିରୀକୃତ ହୋଇଛି । ସେହିପରି ଦୂରଦର୍ଶନ ଚ୍ୟାନେଲରେ କାର୍ଯ୍ୟକ୍ରମ ପ୍ରସାରଣ ମାଧ୍ୟମରେ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଡିଜିଟାଲ ମଞ୍ଚ ବ୍ୟବହାର ସଂପର୍କରେ ମଧ୍ୟ ପ୍ରଶିକ୍ଷଣ ଦେବା ନିମନ୍ତେ ‘ପ୍ରସାର ଭାରତୀ’ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମହାମାରୀରେ ବିଦ୍ୟାଳୟ ଶିକ୍ଷା ଓ କିରାନା ବ୍ୟବସାୟରେ ଅନଲାଇନ ଧାରା ଉପଯୋଗର ଆବଶ୍ୟକତା ଓ ଆଗ୍ରହ ବୃଦ୍ଧି ପାଇଥିବା ଅବସରରେ ଏହିଭଳି ପ୍ରଶିକ୍ଷଣ ଯୋଜନା ଦ୍ୱାରା ବହୁ ହିତାଧିକାରୀ ଉପକୃତ ହେବା ଆଶା କରାଯାଏ ।


 

ରିଲାଏନ୍ସ ଜିଓ ପ୍ଳାଟଫରମ ଗୁଗୁଲ ସହାୟତାରେ ଶସ୍ତା ସ୍ମାର୍ଟଫୋନ ଉତ୍ପାଦନ ନିମନ୍ତେ ଯୋଜନା କରିଛି । ଆଣ୍ଡ୍ରୋଡ଼ ଅପରେଟିଂ ସିଷ୍ଟମ ବିକଶିତ ଏହି ଧରଣର ସ୍ମାର୍ଟଫୋନରେ ପ୍ଳେ-ଷ୍ଟୋରର ସୁବିଧା ସନ୍ନିବେଶିତ ହେବା ସ୍ଥିରୀକୃତ ହୋଇଛି । ଜିଓ ପକ୍ଷରୁ କମ ଖର୍ଚ୍ଚରେ ଇଣ୍ଟରନେଟ ସଂଯୁକ୍ତି ଓ ଡ଼ାଟା ବ୍ୟବହାର ଦେଶବ୍ୟାପୀ ଲୋକାଦୃତ ହୋଇ ସାରିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଶସ୍ତା ସ୍ମାର୍ଟଫୋନ ଉପଲବ୍ଧ ହେଲେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସରଙ୍କ ମଧ୍ୟରେ ଡିଜିଟାଲ ମଞ୍ଚର ବ୍ୟବହାର ବୃଦ୍ଧିପାଇବା ସମ୍ଭବପର ।


 

ମହାମାରୀ-ପର ଭାରତରେ ପରିବର୍ତ୍ତିତ ପରିବେଶକୁ ଡିଜିଟାଲ ମଞ୍ଚ ପ୍ରଭାବିତ କରିବା ଆକଳନ କରାଯାଉଥିବା ସ୍ଥଳେ ଜିଓ ପ୍ଲାଟଫରମ ଏବଂ ସେଥିରେ ଫେସବୁକ, ଗୁଗୁଲର ଯୋଗଦାନ ଭିତ୍ତିଭୂମି ପ୍ରସ୍ତୁତି ଓ ବ୍ୟାବସାୟିକ ପରିଚାଳନାକୁ ସୁଦୃଢ଼ କରିବା ଆଶା କରାଯାଏ । ଭାରତରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ବ୍ୟବସାୟ ଓ ପ୍ରଶାସନିକ ସେବା କ୍ଷେତ୍ରରେ ଗୁଣାତ୍ମକ ବିକାଶ ଜନସାଧାରଣଙ୍କ ଜୀବନ ଧାରଣର ମାନ ବୃଦ୍ଧି ଓ ଅର୍ଥନୀତିକ ଉନ୍ନତିରେ ଡିଜିଟାଲ ମଞ୍ଚର ଉପଯୋଗ ଅପରିହାର୍ଯ୍ୟ ହୋଇପଡ଼ିଥିବା ସ୍ଥଳେ ବୃହତ ଡିଜିଟାଲ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗିତା ସାମଗ୍ରୀକ ଅଗ୍ରଗତିର ଆଶା ସଂଚାର କରିଥାଏ ।                      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁଲାଇ ୨୦୨୦


ତଥ୍ୟ:



Google announces Rs 75,000 crore fund for India. ET BrandEquity. July 13, 2020 



<https://brandeqity.economictimes.com/news/google-announces-rs-75000-fund-for-india/76937518>


 

Google to invest Rs 33k crore in Jio Platforms for 7.7% stake. ET BrandEquity. July 15, 2020 



<https://brandequity.economictimes.indiatimes.com/news/digital/google-to-invest-rs-33k-crore-in-jio-platforms-for-7-7-stake/76978210>


 

Regional markets crucial for media and entertainment industry. Deloitte – FICCI report. ETBrandEquity. July 13, 2020. 



<https://brandequity.economictimes.indiatimes.com/news/regional-markets-for-media-industry-deloitte-ficci-report/70927194>

ମହାମାରୀ ପ୍ରଭାବିତ ଏକ ଅଧିଗ୍ରହଣ

‘କୋଭିଡ଼-୧୯’ଜନିତ ଜନପଦ ବନ୍ଦ ‘ଲକଡ଼ାଉନ’ରେ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପ୍ରଭାବିତ ହୋଇଥିବା ସ୍ଥଳେ ଭାରତର ଅନ୍ୟତମ ରିଟେଲ ବ୍ୟବସାୟ ‘ଫିଉଚର ଗୃପ’ ଅଧିଗ୍ରହଣ ଏକ ଉଲ୍ଲେଖନୀୟ ଘଟଣା । ସଫଳ ଉଦ୍ୟୋଗୀ କିଶୋର ବିୟାନୀଙ୍କ ‘ଫିଉଚର ଗୃପ’ ଅଧିନସ୍ଥ ବିଗ ବଜାର, ସେଣ୍ଟ୍ରାଲ, ଇଜି-ଡ଼େ, ଫୁଟହଲ ଓ ଏଫବିବିର ୪୨୦ ଗୋଟି ସୁପରମାର୍କେଟ ରିଲାଏନ୍ସ ଗୃପ ଅଗଷ୍ଟ ୨୦୨୦ ଶେଷ ସପ୍ତାହରେ ପ୍ରାୟ ୨୫ ହଜାର କୋଟି ଟଙ୍କାରେ ଅଧିଗ୍ରହଣ କରିଥିଲା ।


 

ବିୟାନୀ ଓ ତାଙ୍କ ପରିବାର ପକ୍ଷରୁ ଏହି ଉଦ୍ୟୋଗରେ ୩୩.୫ ପ୍ରତିଶତ ନିବେଶ ହୋଇଥିଲେହେଁ ଅଧିଗ୍ରହଣରୁ କିଛି ଅର୍ଥ ପାଇଲେ ନାହିଁ । କାରଣ ବିୟାନୀଙ୍କ ସମସ୍ତ ଅଂଶଧନ ଉଦ୍ୟୋଗର ଋଣ ପାଇଁ ବନ୍ଧକ ପଡ଼ିଥିଲା । ବ୍ୟବସାୟର ପ୍ରମୁଖଭାଗ ହରାଇବା ପରେ ସେ ପୋଷାକ ପ୍ରସ୍ତୁତି ଓ ଫ୍ୟାସନ ଭଳି ସାମାନ୍ୟ ଉତ୍ପାଦନକେନ୍ଦ୍ରୀକ ଅଂଶକୁ ନେଇ ନୂତନ ଭବିଷ୍ୟତ ଗଢ଼ିବା ପ୍ରୟାସ ଆରମ୍ଭ କରିଛନ୍ତି ।


 

କିଶୋର ବିୟାନୀ ପାରମ୍ପରିକ ମାରୱାଡ଼ି କପଡ଼ା ବ୍ୟବସାୟୀ ପରିବାରର ସନ୍ତାନ । ସେ ନିଜ ଉଦ୍ୟମରେ ସ୍ୱତନ୍ତ୍ର ରେଡ଼ିମେଡ଼ ପୋଷାକ ପ୍ରସ୍ତୁତି ଉଦ୍ୟୋଗ ୧୯୮୩ରେ ଆରମ୍ଭ କରିଥିଲେ । ଏହା ୧୯୮୭ରେ ‘ପାଣ୍ଟାଲୁନ’ ବ୍ରାଣ୍ଡରେ ପରିଚ଼ିତ ହୋଇ ୧୯୯୪ ସୁଦ୍ଧା ଫ୍ରାଞ୍ଚାଇଜ ବ୍ୟବସାୟରେ ରୂପାନ୍ତରିତ ହୋଇଥିଲା । ୨୦୦୧ରେ ବିୟାନୀ ‘ବିଗ ବଜାର’ ରିଟେଲ ଚ଼େନ ଆରମ୍ଭ କରିବାପରେ ଏହାର ସଫଳତା ଖ୍ୟାତି ଆଣି ଦେଇଥିଲା ।


 

‘ବିଗ ବଜାର’ର ସଂପ୍ରସାରଣ ଖୁବ କ୍ଷୀପ୍ରଗତିରେ ଚାଲିଥିଲା । କିନ୍ତୁ ଏହି ପ୍ରଗତି ହିଁ ବ୍ୟାବସାୟିକ ଦୁର୍ଗତିର କାରଣ ପାଲଟିଲା । ଆଦିତ୍ୟ ବିରଳା ଗୃପ ୨୦୧୨ରେ ‘ପାଣ୍ଟାଲୁନ’ ବ୍ୟବସାୟ ଅଧିଗ୍ରହଣ କରିନେଲେ । ତେବେ ବିୟାନୀ ସଙ୍କୋଚନ ପରିବର୍ତ୍ତେ ସଂପ୍ରସାରଣକୁ ଗୁରୁତ୍ୱ ଦେଇ ଚାଲିଲେ । ମହାମାରୀ-ପୂର୍ବ ଅବସ୍ଥା ବେଳକୁ ପ୍ରବଳ କ୍ଷତିରେ ଚାଲୁଥିବା ‘ଫିଉଚର ଗୃପ’କୁ ସଜାଡ଼ିବା ନିମନ୍ତେ ନୂତନ ଯୋଜନା ଆରମ୍ଭ କରିବା ବେଳେ ତିନିମାସ ଧରି ବଜାର ବିପ୍ପଣୀ ବନ୍ଦ ବିୟାନୀଙ୍କ ବ୍ୟାବସାୟିକ ସ୍ଥିତିକୁ ଦୋହଲାଇ ଦେଇଥିଲା । ଶେଷରେ ରିଟେଲ ବ୍ୟବସାୟରେ ବଡ଼ ଆକାରରେ ପ୍ରବେଶ କରୁଥିବା ରିଲାଏନ୍ସ ହାତରେ ନିଜ ବ୍ୟବସାୟ ଟେକିଦେବା ନିମନ୍ତେ ବାଧ୍ୟ ହୋଇଥିଲେ ।


 

କିଶୋର ବିୟାନୀଙ୍କ ବ୍ୟାବସାୟିକ ବିଫଳତା ଅଧ୍ୟୟନ ସମସାମୟିକ ଭାରତୀୟ କର୍ପୋରେଟ ପରିବେଶରେ ଗୁରୁତ୍ୱ ବହନ କରେ । ସବୁଠାରୁ ବଡ଼ କଥା ହେଲା ରିଟେଲ ବ୍ୟବସାୟରେ ନିଜର ସଫଳତାକୁ ବର୍ଣ୍ଣନା କରି ୨୦୦୭ରେ ‘ଦି ଇଣ୍ଡିଆନ କନଜ୍ୟୁମର’ ଭଳି ପୁସ୍ତକ ରଚ଼ନା କରିଥିବା ବିୟାନୀ ୨୦୨୦ରେ ନିଜ ଉଦ୍ୟୋଗର ବ୍ୟାବସାୟିକ ବିଫଳତାକୁ ସ୍ୱୀକାର କରିବାକୁ ମଧ୍ୟ ପଛାଇ ନାହାନ୍ତି । ‘ଫିଉଚ଼ର ଗୃପ’ ଅଧିଗ୍ରହଣର ଦେଢ଼ ମାସ ପରେ ୧୪ ଅକ୍ଟୋବର ୨୦୨୦ରେ ‘ଫିଗେଟେଲ ରିଟେଲ କନଭେନସନ’ ନାମକ ଭର୍ଚୁଆଲ ସମାବେଶରେ ଉଦବୋଧନ ଦେଇ ନିଜର ବ୍ୟାବସାୟିକ ନିଷ୍ପତ୍ତିର ଭିତ୍ତି, ‘କୋଭିଡ଼-୧୯’ ମହାମାରୀଜନିତ ବଜାରରେ ମାନ୍ଦାବସ୍ଥା ଏବଂ ମହାମାରୀ-ପର ଅବସ୍ଥାରେ ସମ୍ଭାବ୍ୟ ବ୍ୟବସାୟିକ ସ୍ଥିତି ସଂପର୍କରେ ଆଲୋକପାତ କରିଥିଲେ ।


 

ପ୍ରଥମତଃ, ବିୟାନୀ କହିଥିଲେ ଯେ ମହାମାରୀରେ ତାଙ୍କରି ବ୍ୟାବସାୟିକ ସ୍ଥିତି ଅଣଆୟତ୍ତ ହୋଇ ପଡ଼ିଥିଲା । କ୍ଷତିରେ ଚାଲୁଥିବା ବ୍ୟବସାୟରେ ଏକ ପକ୍ଷରେ ଋଣ ଓ ସୁଧ ବୃଦ୍ଧି ପାଇଚାଲିଥିବା ସ୍ଥଳେ ଅପରପକ୍ଷରେ ଆୟ ହାନୀ ଯେଉଁ ଜଟିଳ ପରିବେଶ ସୃଷ୍ଟି କରିଥିଲା ସେଥିରୁ ମୁକୁଳିବାରେ ଅଧିଗ୍ରହଣ ନିମନ୍ତେ ପ୍ରସ୍ତୁତ ହେବା ବିନା ଅନ୍ୟ ପନ୍ଥା ନଥିଲା । ସେ ବାଧ୍ୟବାଧକତାରେ ରିଲାଏନ୍ସକୁ ବ୍ୟବସାୟ ହସ୍ତାନ୍ତର କରିଥିଲେ ।


 

ଦ୍ୱିତୀୟତଃ, ମହାମାରୀ ଅବସରରେ ତିନି-ଚାରି ମାସ ଧରି ବ୍ୟବସାୟ ବନ୍ଦ ବହୁ ଉଦ୍ୟୋଗର ଭିତ୍ତିଭୂମି ପ୍ରତି କୁଠାରଘାତ କରିଥିଲା । ବ୍ୟକ୍ତିଗତ ସ୍ତରରେ ତାଙ୍କରି ସମସ୍ତ ଦୋକାନବଜାର ଏକାଦିକ୍ରମେ ଏତେଦିନ ଧରି ବନ୍ଦ ରହିବ ବୋଲି ସେ କେବେ କଳ୍ପନା ମଧ୍ୟ କରିନଥିଲେ । ତେଣୁ ଏଭଳି ଏକ ଅପ୍ରତ୍ୟାଶିତ ଘଟଣାକ୍ରମର ମୁକାବିଲା କରିବା ସମ୍ଭବପର ହୋଇପାରି ନଥିଲା ।


 

ତୃତୀୟତଃ, ଲକଡ଼ାଉନ ହେତୁ ତାଙ୍କରି ବ୍ୟବସାୟ ପ୍ରଥମ ତିନି ଚାରି ମାସରେ ସାତ ହଜାର କୋଟି ଟଙ୍କା ଯାଏଁ କ୍ଷତି ସହିଥିଲା । ଲକଡ଼ାଉନ-ପର ଅବସ୍ଥାରେ ସମାଜର ପ୍ରତ୍ୟେକ ସ୍ତରରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ସ୍ଥଳେ କ୍ଷୟକ୍ଷତି ଭରଣା ନିମନ୍ତେ ସମ୍ୱଳ ସଂଗ୍ରହ କଷ୍ଟକର ହୋଇପଡ଼ିଥିଲା ।


 

ଚ଼ତୁର୍ଥତଃ, ବିୟାନୀ ସ୍ୱୀକାର କରିଥିଲେ ଯେ ମହାମାରୀ-ପୂର୍ବ ଛଅ ସାତ ବର୍ଷ ମଧ୍ୟରେ ‘ଫିଉଚ଼ର ଗୃପ’ ପକ୍ଷରୁ ଅନେକଗୁଡ଼ିଏ ଛୋଟ ବ୍ରାଣ୍ଡ ଅଧିଗ୍ରହଣ କରିବା ଭୁଲ ନିଷ୍ପତ୍ତିରେ ରୂପାନ୍ତରିତ ହୋଇଥିଲା । କୌଣସି ବ୍ୟବସାୟ ଅଧିଗ୍ରହଣ ପରେ ତାହାର ସୁପରିଚାଳନା ଅତ୍ୟନ୍ତ କଷ୍ଟକର ବ୍ୟାପାର ସାବ୍ୟସ୍ତ ହୋଇଥାଏ । ସେହି ସମସ୍ୟାର ସେ ସମାଧାନ କରିପାରିଲେ ନାହିଁ ।


 

ପଞ୍ଚମତଃ, ‘ଫିଉଚ଼ର ଗୃପ’ ଅନଲାଇନ ବ୍ୟବସାୟକୁ ପ୍ରାଥମିକତା ନଦେବା ବିପର୍ଯ୍ୟୟର ଅନ୍ୟତମ କାରଣ । ଅଫଲାଇନ ରିଟେଲ ବ୍ୟବସାୟ ରୂପେ ଗଢ଼ି ଉଠିଥିବା ‘ବିଗ ବଜାର’ ଭଳି ବ୍ରାଣ୍ଡ କ୍ରମବର୍ଦ୍ଧିଷ୍ଣୁ ଅନଲାଇନ ବ୍ୟବସାୟରେ ମୂଳରୁ ମନୋନିବେଶ କରିଥିଲେ ନୂତନ ବ୍ୟାବସାୟିକ ପରିବେଶରେ ମଧ୍ୟ ହୁଏତ ତିଷ୍ଠି ଯାଇ ପାରିଥାନ୍ତା ।


 

ବିୟାନୀ କହିଥିଲେ ଯେ ମହାମାରୀ-ପର ଅବସ୍ଥାରେ ରିଟେଲ ବ୍ୟବସାୟରେ ବହୁ ପରିବର୍ତ୍ତନ ଆଶା କରାଯାଇପାରେ । ମହାମାରୀ ହେତୁ ସାମାଜିକ ଚଳପ୍ରଚଳରେ ଦୀର୍ଘକାଳ ବ୍ୟାପୀ ପ୍ରତିବନ୍ଧକ ବଳବତ୍ତର ରହିବ । ଉପଭୋକ୍ତା ପ୍ରତ୍ୟକ୍ଷ ଭାବେ ବଜାରକୁ ଯାଇ କିଣାବିକା କରିବା ବଦଳରେ ଡିଜିଟାଲ ବ୍ୟବସାୟ ପ୍ରତି ଆକୃଷ୍ଟ ହେବେ । ଜନଜୀବନରେ ପରିବର୍ତ୍ତିତ ମୂଲ୍ୟବୋଧ ଆପାତତଃ ବ୍ୟାବସାୟିକ ପରିବେଶରେ ମଧ୍ୟ ପ୍ରତିବିମ୍ୱିତ ହେବା ସ୍ୱାଭାବିକ ।


 

‘ଫିଉଚ଼ର ଗୃପ’ ଅଧିଗ୍ରହଣ ପରେ ୧୪ ଅକ୍ଟୋବର ୨୦୨୦ର ଭର୍ଚୁଆଲ ଅଧିବେଶନରେ ବିୟାନୀଙ୍କ ସର୍ବସାଧାରଣରେ ପ୍ରଥମ ସ୍ୱୀକାରୋକ୍ତି କେବଳ ରିଟେଲ ବ୍ୟବସାୟ କାହିଁକି ଅନ୍ୟାନ୍ୟ ସମସ୍ତ ବ୍ୟବସାୟ ନିମନ୍ତେ ଗୁରୁତ୍ୱ ବହନ କରିଥାଏ । ସେଥିମଧ୍ୟରେ ଗଣମାଧ୍ୟମ ମଧ୍ୟ ଅନ୍ତର୍ଭୁକ୍ତ । କିଶୋର ବିୟାନୀ ଭାରତୀୟ ଉପଭୋକ୍ତାଙ୍କ ମାନସିକତା ଅଧ୍ୟୟନରେ ଏକ ସଫଳ ସମୀକ୍ଷକ । ପରିବର୍ତ୍ତିତ ବ୍ୟାବସାୟିକ ସ୍ଥିତି ସଂପର୍କରେ ତାଙ୍କରି ଅନୁଶୀଳନର ବ୍ୟାପକ ବିଚାର ବିମର୍ଷ ଆବଶ୍ୟକ ।


 

ଓଡ଼ିଆ ଗଣମାଧ୍ୟମ ପରିବେଶ ଅସଂଖ୍ୟ କ୍ଷୁଦ୍ର ଓ ଆଙ୍ଗୁଠି ଗଣତି ମଧ୍ୟମବର୍ଗର ବ୍ୟାବସାୟିକ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ହେଉଥିବା ହେତୁ ମହାମାରୀ-ପର ଅର୍ଥନୀତିକ ବ୍ୟବସ୍ଥା ଦ୍ୱାରା ବିଶେଷ ପ୍ରଭାବିତ ନହେବା ଯୁକ୍ତି ବଢ଼ାଯାଇପାରେ । କିନ୍ତୁ ପ୍ରଶ୍ନ ଉଠେ ମହାମାରୀଜନିତ ଲକଡ଼ାଉନରେ କ୍ଷୁଦ୍ର ମୁଦ୍ରିତ ପତ୍ରପତ୍ରିକାଗୁଡ଼ିକର ପ୍ରକାଶନ ବ୍ୟାହତ ହୋଇନି କି ? ବିଜ୍ଞାପନ ଓ ଗ୍ରାହକ ଚାନ୍ଦା ଆୟ ସଂକୁଚିତ ହୋଇନାହିଁ କି ? ଛଅମାସ ବର୍ଷକର ମାନ୍ଦାବସ୍ଥା ପରେ କାଗଜ ଦର ଓ ମୁଦ୍ରଣ ଖର୍ଚ୍ଚ ବଢ଼ିଯିବ ନାହିଁ କି ? ଅତଏବ ବୃହତ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ସୃଷ୍ଟ ବ୍ୟାବସାୟିକ ବିଘଟନରେ କ୍ଷୁଦ୍ର ମଞ୍ଚଗୁଡ଼ିକ ମଧ୍ୟ ସମପରିମାଣରେ ପ୍ରଭାବିତ ହେବା ସୁନିଶ୍ଚିତ । ପ୍ରଶ୍ନ ଉଠେ ଏହାର କିପରି ମୁକାବିଲା କରାଯାଇପାରିବ ।


 

ପ୍ରତିଟି ବ୍ୟବସାୟ ଭଳି ପ୍ରତ୍ୟେକ ଗଣମାଧ୍ୟମ ମଞ୍ଚ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ ଆବଶ୍ୟକ କରେ । ତେବେ କିଶୋର ବିୟାନୀଙ୍କ ଉଦାହରଣରୁ ସାମଗ୍ରିକଭାବେ କେତେଗୋଟି ତତ୍ତ୍ୱ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ବିଚାର କରାଯାଇପାରେ । ପ୍ରଥମତଃ, ସେ ନିଜର ୩୭ ବର୍ଷର ସମ୍ରାଜ୍ୟ ବିନା ପ୍ରାପ୍ୟରେ ପ୍ରତିଦ୍ୱନ୍ଦୀଙ୍କୁ ହସ୍ତାନ୍ତର କରିବା ନିମନ୍ତେ ଯେଉଁ ସମୟୋଚ଼ିତ ପଦକ୍ଷେପ ଗ୍ରହଣ କଲେ ତାହା ପ୍ରଶଂସାଯୋଗ୍ୟ । ବ୍ୟବସାୟହାନୀ ପରେ ଅଧିକାଂଶ ନିବେଶକ କାଳକ୍ଷେପଣ ନୀତି ଅନୁସରଣ କରି ଅଯଥା ଅପବାଦରେ ଛନ୍ଦି ହୋଇପଡନ୍ତି । କିନ୍ତୁ ସେ ଯେ ବ୍ୟବସାୟ ହରାଇବା ପରେ ମଧ୍ୟ ସମ୍ମାନଜନକ ସ୍ଥିତିରେ ସର୍ବସାଧାରଣରେ ତାଙ୍କରି ଅଭିଜ୍ଞତା ଅନୁଶୀଳନ କରିପାରୁଛନ୍ତି ତାହା ସମକାଳରେ ସର୍ବାପେକ୍ଷା ଗୁରୁତ୍ୱ ବହନ କରେ ।


 

ଦ୍ୱିତୀୟତଃ, ବିୟାନୀ କହିଥିଲେ ସେ ଇ-କର୍ମସକୁ ହତାଦର କରିବା ମହଙ୍ଗା ପଡ଼ିଲା । ଏଣିକି ଡ଼ିଜିଟାଲ-ଫାଷ୍ଟ ନୀତି ଅନୁସରଣ କରିବେ । ଛୋଟ ବଡ଼ ପ୍ରତ୍ୟେକ ଗଣମାଧ୍ୟମ ମଞ୍ଚ ଡ଼ିଜିଟାଲ ସଂସ୍କରଣକୁ ପ୍ରାଧାନ୍ୟ ଦେବା ଆବଶ୍ୟକ । ଡ଼ିଜିଟାଲକୁ ପାରମ୍ପରିକ ଗଣମାଧ୍ୟମର ପ୍ରତିଦ୍ୱନ୍ଦୀ ବିଚାର ପରିବର୍ତ୍ତେ ନୂତନ ସଂସ୍କରଣ ରୂପେ ଗ୍ରହଣ କଲେ ବୈଷୟିକ ବିଘଟନ ସମସ୍ୟାରୁ ମୁକ୍ତି ମିଳିବ ।


 

ତୃତୀୟତଃ, ବିୟାନୀ ୧୪ ଅକ୍ଟୋବର ୨୦୨୦ ଉଦବୋଧନରେ ସ୍ୱୀକାର କରିଛନ୍ତି ଯେ ମହାମାରୀ-ପର ଅବସ୍ଥାରେ ସେ ବ୍ୟବସାୟରେ ଆଭିମୁଖ୍ୟ ସ୍ଥାନୀୟ ‘ଲୋକାଲ’କୁ ପରିବର୍ତ୍ତିତ କରିବେ । ଓଡ଼ିଶାର ୯୮ ପ୍ରତିଶତ ଗଣମାଧ୍ୟମ ମଞ୍ଚ ରାଜ୍ୟସ୍ତରୀୟ ବଦଳରେ ସହର, ଜିଲ୍ଲା, ବ୍ଳକ ବା ଗ୍ରାମପଞ୍ଚାୟତସ୍ତରରେ ମନୋନିବେଶ କରି ବଜାରକେନ୍ଦ୍ରୀକ ବ୍ୟବସାୟ ମଡ଼େଲ ଗଢ଼ିତୋଳିବାର ସମୟ ଉପନୀତ । ବଡ଼ ହେବା ପାଇଁ ଆଶା କରିବା ଭଲ, କିନ୍ତୁ ସେଥି ନିମନ୍ତେ କାର୍ଯ୍ୟପନ୍ଥା ସମୟନିର୍ଘଣ୍ଟ ଓ ନିବେଶ ଯଦି ଅନ୍ତତଃପକ୍ଷେ କାଗଜକଲମରେ ଯୋଗାଡ଼ ନ ହୋଇପାରୁଛି ତେବେ ସମ୍ଭାବ୍ୟ ବ୍ୟବସାୟର ପରିସୀମା ସଂକୋଚ଼ନ କରି ଯୁକ୍ତିଯୁକ୍ତ ସ୍ତର ପହଞ୍ଚିବା ତଥା ତଦ୍ ଅନୁଯାୟୀ ଉଦ୍ୟମ କରିବା ହିଁ ଦୀର୍ଘ ମିଆଦୀ ସଫଳତାର ରହସ୍ୟ ।                       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଅକ୍ଟୋବର ୨୦୨୦

ମନୋରଞ୍ଜନର ନୂତନ ପରିଭାଷା 

ଏକବିଂଶ ଶତାଦ୍ଦୀ ଆରମ୍ଭରୁ ବିଶ୍ୱବ୍ୟାପୀ ମନୋରଞ୍ଜନର ସଂଜ୍ଞା କ୍ରମଶଃ ପରିବର୍ତ୍ତିତ ହୋଇଆସିଥିବା ସ୍ଥଳେ କୋଭିଡ଼-୧୯ ମହାମାରୀ କାଳରେ ବାଧ୍ୟବାଧକତାରେ ଉପଭୋକ୍ତାଙ୍କ ଡ଼ିଜିଟାଲ ଅଭ୍ୟାସ ହିସାବକୁ ନେଇ ଗଣମାଧ୍ୟମ ବିଶେଷଜ୍ଞମାନେ ୨୦୨୩ରେ ଏକ ନୂତନ ପରିବେଶ ସୃଷ୍ଟି ସଂପର୍କରେ ଗୁରୁତ୍ୱାରୋପ କରିଥାନ୍ତି । ଟେଲିଭିଜନ, ସୋସିଆଲ ମିଡିଆ ଓ ଗେମିଂ ତିନିଗୋଟି ଭିନ୍ନ ମନୋରଞ୍ଜନ ମଞ୍ଚ ରୂପେ ବିକଶିତ ହୋଇଥିବା ସ୍ଥଳେ ଉପଭୋକ୍ତାସ୍ତରରେ କ୍ରମଶଃ ଗୋଟିଏ ମଞ୍ଚରେ ସମିଶ୍ରଣ ଧାରା କାରଣରୁ ମନୋରଞ୍ଜନ ଶିଳ୍ପରେ ବ୍ୟାପକ ପରିବର୍ତ୍ତନ ଅବଶ୍ୟମ୍ଭାବୀ । ବିକଶିତ ରାଷ୍ଟ୍ରଗୁଡ଼ିକରେ ଆୟୋଜିତ ସର୍ବେକ୍ଷଣ ଆଧାରରେ ଉପଭୋକ୍ତାଙ୍କ ଆଚ଼ରଣରେ ପରିବର୍ତ୍ତନ ସର୍ବତ୍ର ପ୍ରତିଫଳିତ ହେବା ଆଶା କରାଯାଏ ।

 

ଯୁକ୍ତରାଷ୍ଟ୍ର ଆମେରିକାର ‘ହବ ଏଣ୍ଟରଟେନମେଣ୍ଟ ରିସର୍ଚ୍ଚ’ ପକ୍ଷରୁ ‘ଭିଡ଼ିଓ ରିଡ଼ିଫାଇନଡ଼’ ଶୀର୍ଷକ ବାର୍ଷିକ ବିବରଣୀରେ ସେଠାକାର ମନୋରଞ୍ଜନ ଉପଭୋକ୍ତାଙ୍କ ଅଭ୍ୟାସ ଅନୁଧ୍ୟାନ କରାଯାଇଥିଲା । ‘ହବ ଏଣ୍ଟରଟେନମେଣ୍ଟ ରିସର୍ଚ୍ଚ’ ମୁଖ୍ୟତଃ ମାର୍କିନ ଟେଲିଭିଜନ ଦର୍ଶକଙ୍କ ରୁଚ଼ି ଅନୁଧ୍ୟାନ କରି ଗଣମାଧ୍ୟମ ପ୍ରାୟୋଜକମାନଙ୍କୁ ପ୍ରଚଳିତ ଧାରା ସଂପର୍କରେ ପରାମର୍ଶ ଦେଇଥାଏ । ୨୦୨୨ର ବାର୍ଷିକ ବିବରଣୀ ପ୍ରସ୍ତୁତି ନିମନ୍ତେ ଗବେଷଣା ସଂସ୍ଥା ପକ୍ଷରୁ ସେଠାକାର ୧,୯୦୦ ଜଣ ୧୩ ରୁ ୭୪ ବର୍ଷ ବୟସ୍କ ଟେଲିଭିଜନ ଦର୍ଶକଙ୍କ ଗଣମାଧ୍ୟମ ମଞ୍ଚ ବ୍ୟବହାରର ଧାରା ସଂପର୍କରେ ପୁଙ୍ଖାନୁପୁଙ୍ଖ ବିବରଣୀ ସଂଗୃହୀତ ହୋଇଥିଲା ।

 

ଏକପକ୍ଷରେ ‘ଜେନେରେସନ-ଜେଡ଼’ ଅର୍ଥାତ ୧୩ ରୁ ୨୪ ବର୍ଷ ବୟସ୍କ ଟେଲିଭିଜନ କାର୍ଯ୍ୟକ୍ରମରୁ ଦୂରେଇ ଯାଉଥିବା ଦେଖିବାକୁ ମିଳିଥିଲା । ଉଦାହରଣରେ ୩୫ ବର୍ଷୋତ୍ତର ଦର୍ଶକବର୍ଗ ଦୈନିକ ଭିତ୍ତିରେ ମନୋରଞ୍ଜନ ସମୟସୀମା ମଧ୍ୟରୁ ୪୩ ପ୍ରତିଶତ ସମୟ ଟେଲିଭିଜନ ଏବଂ ୨୦ ପ୍ରତିଶତ ସମୟ ଅଣ-ଟେଲିଭିଜନ ଭିଡ଼ିଓ କାର୍ଯ୍ୟକ୍ରମ ଦେଖାରେ ଅତିବାହିତ କରୁଥିବା ସ୍ଥଳେ ୧୩ ରୁ ୨୪ ବର୍ଷ ବୟସ୍କବର୍ଗ ମାତ୍ର ୧୭ ପ୍ରତିଶତ ସମୟ ଟେଲିଭିଜନ ଏବଂ ୩୪ ପ୍ରତିଶତ ସମୟ ଟେଲିଭିଜନ କାର୍ଯ୍ୟକ୍ରମ ଭିନ୍ନ ଭିଡ଼ିଓ ତଥା ଗେମିଂରେ ବିତାଇଥାନ୍ତି ।

 

ଅପରପକ୍ଷରେ ୩୫ ବର୍ଷୋତ୍ତର ୩୩ ପ୍ରତିଶତ ସମୟ ଟେଲିଭିଜନ ପର୍ଦ୍ଦା ଏବଂ ୧୨ ପ୍ରତିଶତ ସମୟ ମୋବାଇଲ ଫୋନ ପର୍ଦ୍ଦାରେ ବିତାଉଥିବା ବେଳେ ୧୩ ରୁ ୨୪ ବର୍ଷ ବୟସ୍କ ମାତ୍ର ଆଠ ପ୍ରତିଶତ ସମୟ ଟେଲିଭିଜନ ପର୍ଦ୍ଦା ଏବଂ ୩୦ ପ୍ରତିଶତ ସମୟ ମୋବାଇଲ ପର୍ଦ୍ଦାରେ ଅତିବାହିତ କରିଥାନ୍ତି । ‘ଭିଡ଼ିଓ ରିଡ଼ିଫାଇନଡ଼’ ବିବରଣୀ ଅନୁଶୀଳନରେ କୁହାଯାଇଛି ଯେ ଗେମିଂ ଓ ସୋସିଆଲ ଭିଡ଼ିଓ ‘ଜେନେରେସନ-ଜେଡ଼’ଙ୍କ ମନୋରଞ୍ଜନ ଅଭ୍ୟାସକୁ କବଳିତ କରିସାରିଥିବା ସ୍ଥଳେ ଭବିଷ୍ୟତରେ ସେହି ରୁଚ଼ି ପରିବର୍ତ୍ତନର ଆଶା କ୍ଷୀଣ । ଅର୍ଥାତ, ଏହି ଧାରା  ସମୟକ୍ରମେ ଅନ୍ୟାନ୍ୟ ବୟସବର୍ଗଙ୍କୁ ସଂପ୍ରସାରିତ ହେବ ସୁସ୍ପଷ୍ଟ ।

 

ମାର୍କିନ ଦର୍ଶକଙ୍କ ମନୋରଞ୍ଜନ ରୁଚ଼ି ଭାରତ ତଥା ଓଡ଼ିଶାରେ ପ୍ରତିଫଳିତ ହେବାର କେତେକ ପ୍ରମୁଖ କାରଣ ଦର୍ଶାଯାଇପାରେ । ପ୍ରଥମତଃ, ଭାରତରେ ୨୦୨୨ ଶେଷ ସୁଦ୍ଧା ୭୬ କୋଟି ସକ୍ରିୟ ଇଣ୍ଟରନେଟ ଉପଭୋକ୍ତା ଗଣିତ କରାଯାଇଥିଲା । ଦେଶରେ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ଆହରଣ କରାଯାଏ ଏବଂ ସ୍ମାର୍ଟ ଟେଲିଭିଜନର ପ୍ରସାର ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ କମ । ଅତଏବ, କେବଳ ‘ଜେନେରେସନ-ଜେଡ’ କାହିଁକି, ଅନ୍ୟାନ୍ୟ ବୟସବର୍ଗଙ୍କ ମୋବାଇଲ ପର୍ଦ୍ଦାର ବହୁଳ ବ୍ୟବହାର ଏକରକମ ବାଧ୍ୟବାଧକତା ।

 

ଦ୍ୱିତୀୟତଃ, ଭାରତରେ ମୋବାଇଲ ଗେମର ସଂଖ୍ୟା ୨୦୨୧ରୁ ଆନ୍ତର୍ଜାତିକସ୍ତରରେ ସର୍ବବୃହତ । ଗେମରଙ୍କ ସଂଖ୍ୟା ବାର୍ଷିକ ୨୭ ପ୍ରତିଶତ ବୃଦ୍ଧି ପାଉଛି । ଉଲ୍ଲେଖନୀୟ ବିଷୟ ଏହି ଯେ ଓଡ଼ିଶାରେ ଏହି ଅଭିବୃଦ୍ଧି ୫୫ ପ୍ରତିଶତ ରହିଥିବା ‘ଇଣ୍ଡିଆ ମୋବାଇଲ ଗେମିଂ ରିପୋର୍ଟ ୨୦୨୨’ରେ ଉଲ୍ଲେଖ କରାଯାଇଥିଲା । ଭୁବନେଶ୍ୱରରେ ମୋବାଇଲ ଗେମରଙ୍କ ସଂଖ୍ୟା ୨୦୨୧ରୁ ୨୦୨୨ ବର୍ଷକ ମଧ୍ୟରେ ୧୬୫ ପ୍ରତିଶତ ବଢ଼ିଥିଲା । ଆମ ଦେଶରେ ମୋବାଇଲ ଗେମ ମୁଖ୍ୟତଃ ସ୍ମାର୍ଟଫୋନ ପରଦାରେ ଖେଳାଯାଏ । ଅତଏବ, ଟେଲିଭିଜନ ପର୍ଦ୍ଦାରୁ ଦର୍ଶକ ଅପସାରଣରେ ଏହା ଏକ ବଡ଼ କାରଣ ।

 

ତୃତୀୟତଃ, କୁହାଯାଉଛି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ବିହାର ଓ ପଶ୍ଚିମ ବଙ୍ଗ ଗେମିଂ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହୁଛନ୍ତି । ସେହିପରି ଲକ୍ଷ୍ମୌ, କାନପୁର, ଗଜିଆବାଦ ଓ ପ୍ରୟାଗରାଜ ଭଳି ସହରରେ ଗେମରଙ୍କ ସଂଖ୍ୟା ଅଧିକ । ଏହି ସବୁ ରାଜ୍ୟ ଓ ସହର ବହୁଳ ସଂଖ୍ୟାରେ ଟେଲିଭିଜନ କାର୍ଯ୍ୟକ୍ରମପ୍ରେମୀ ଥିବା ବିଶ୍ୱାସ କରାଯାଏ । ଗେମିଂ କ୍ଷେତ୍ରରେ ସେମାନଙ୍କ ପ୍ରବେଶ ଟେଲିଭିଜନ ସେଟ ଓ କାର୍ଯ୍ୟକ୍ରମରୁ ମୋବାଇଲ ପର୍ଦ୍ଦାକୁ ଦର୍ଶକ ଅପସାରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଥିବା ପ୍ରମାଣିତ ।

 

ମୋବାଇଲ ପର୍ଦ୍ଦା ଟେଲିଭିଜନ କାର୍ଯ୍ୟକ୍ରମ, ଷ୍ଟ୍ରୀମିଂ ଭିଡ଼ିଓ, ସୋସିଆଲ ଭିଡ଼ିଓ ଓ ଗେମିଂର ଏକକ ମଞ୍ଚ ରୂପେ ବିକଶିତ ହେଉଥିବା ଅବସରରେ ଭାରତୀୟ ମନୋରଞ୍ଜନ ପରିଧିରେ ୩୦ ରୁ ୪୦ ବର୍ଷ ଧରି ଆଧିପତ୍ୟ ବିସ୍ତାର କରିଥିବା ଟେଲିଭିଜନ ଏବଂ ୭୦ ରି ୧୦୦ ବର୍ଷ ଧରି ଲୋକପ୍ରିୟ ଚଳଚ଼ିତ୍ର ନିର୍ମାଣ କ୍ଷେତ୍ରରେ ‘ମୋବାଇଲ-ଫାଷ୍ଟ’ ନୀତି ଉପଯୋଗ ଗୁରୁତ୍ୱ ବହନ କରେ । ବିଷୟ ଚୟନଠାରୁ ଆରମ୍ଭ କରି, ଦୃଶ୍ୟାଙ୍କନ, ଅବଧି, ଚ଼ିତ୍ର ଗ୍ରହଣ, ସମ୍ପାଦନା, ଶବ୍ଦ ସଂଯୋଗ ପ୍ରତିଟି କ୍ଷେତ୍ରରେ ବ୍ୟାପକ ସାବଧାନତା ଆବଶ୍ୟକ । ଚଳଚ଼ିତ୍ରର ରୂପେଲି ପର୍ଦ୍ଦ ବା ଟେଲିଭିଜନ ପର୍ଦ୍ଦାଠାରୁ ସ୍ମାର୍ଟଫୋନ ପର୍ଦ୍ଦାର ଦୂରତ୍ୱ ଉପଲବ୍ଧି ସୃଜନ କ୍ଷେତ୍ରରେ ଏକ ନୂତନ ପରିବେଶ ସୃଷ୍ଟି କରିଥାଏ ଏବଂ ଏହାକୁ ଅଣଦେଖା କଲେ ସଂପ୍ରସାରିତ ଦର୍ଶକ ମଣ୍ଡଳୀଙ୍କ ନିକଟରେ ପହଞ୍ଚିବା ମୁସ୍କିଲ ପ୍ରମାଣିତ ହୋଇଥାଏ ।

 

‘ଲୋକାଲ ସର୍କଲ’ ନାମକ ଏକ ସୋସିଆଲ ମିଡ଼ିଆ ମଞ୍ଚ ପକ୍ଷରୁ ୨୦୨୨ରେ ଦେଶର ୨୮୭ ଗୋଟି ଜିଲ୍ଲାରେ ୯,୬୩୩ ଜଣ ଅଭିଭାବକଙ୍କୁ ସାକ୍ଷାତକାର ମାଧ୍ୟମରେ ସେମାନଙ୍କ ସନ୍ତାନସନ୍ତତିଙ୍କ ଇଣ୍ଟରନେଟ ବ୍ୟବହାର ସଂପର୍କରେ ତଥ୍ୟ ପଚ଼ରାଯାଇଥିଲା । ସେମାନେ କହିଥିଲେ ଯେ ୩୪ ପ୍ରତିଶତ ୧୩ ବର୍ଷରୁ ୧୭ ବର୍ଷ ବୟସ୍କ କିଶୋର-କିଶୋରୀ ଦୈନିକ ତିନି ଘଣ୍ଟାରୁ ଛଅ ଘଣ୍ଟା ଏବଂ ୨୮ ପ୍ରତିଶତ କିଶୋର-କିଶୋରୀ ଛଅ ଘଣ୍ଟା କିମ୍ୱା ତାହାଠାରୁ ଉର୍ଦ୍ଧ୍ୱ ସମୟ ସ୍ମାର୍ଟଫୋନ ଓ ଅନ୍ୟାନ୍ୟ ଡ଼ିଜିଟାଲ ଉପକରଣ ବ୍ୟବହାର କରିଥାନ୍ତି । ପୂର୍ବରୁ ନୂଆଦିଲ୍ଲୀର ମୌଲାନା ଆଜାଦ ମେଡ଼ିକାଲ କଲେଜ ପକ୍ଷରୁ ୨୬୬ ଜଣ ୧୦ ବର୍ଷରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ୩୩ ପ୍ରତିଶତ କିଶୋର-କିଶୋରୀ ସ୍ମାର୍ଟଫୋନ ଆସକ୍ତ ‘ଏଡ଼ିକ୍ଟେଡ଼’ ହୋଇପଡ଼ିଥିବା ଦର୍ଶାଯାଇଥିଲା । ନଭି-ମୁମ୍ୱାଇ ଓ ହରିଆନାରେ ଆୟୋଜିତ ସର୍ବେକ୍ଷଣରେ ମଧ୍ୟ ୩୦ ପ୍ରତିଶତ ଆସକ୍ତି ଲକ୍ଷ୍ୟ କରାଯାଇଥିଲା ।

 

ଭାରତୀୟ ଅଳ୍ପ-ବୟସ୍କଙ୍କ ସ୍ମାର୍ଟଫୋନ ପର୍ଦ୍ଦାରେ ଦୀର୍ଘ ସମୟ ଉପସ୍ଥିତି ଅର୍ଥ ଟେଲିଭିଜନ, ସୋସିଆଲ ମିଡ଼ିଆ ଓ ଗେମିଂର ସମିଶ୍ରିତ ପ୍ରଦର୍ଶନକୁ ବୁଝାଇଥାଏ । କିଶୋର-କିଶୋରୀ ବର୍ଗରେ ପ୍ରମାଣିତ ତଥ୍ୟାବଳୀ ଶିଶୁ ଓ ଯୁବବର୍ଗଙ୍କୁ ମଧ୍ୟ ଦୀର୍ଘମିଆଦୀ ସୂତ୍ରରେ ପ୍ରଭାବିତ କରିବା ଆକଳନ କରିବା ଯଥାର୍ଥ ମନେହୁଏ । ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ସଂଗଠନ ଅକ୍ସଫର୍ମ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଇନଇକ୍ୱାଲିଟି ରିପୋର୍ଟ ୨୦୨୨ : ଡ଼ିଜିଟାଲ ଡ଼ିଭାଇଡ଼ରେ କୁହାଯାଇଛି ଯେ ୬୧ ପ୍ରତିଶତ ପୁରୁଷ ଓ ୩୧ ପ୍ରତିଶତ ମହିଳା ମୋବାଇଲ ଫୋନ ବ୍ୟବହାର କରିଥାନ୍ତି । ସଂଗଠିତ କର୍ମକ୍ଷେତ୍ରରେ ନିଯୁକ୍ତ ମାସିକ ଦରମାପ୍ରାପ୍ତ କର୍ମଚାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ ଓ ଅଣସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୫୦ ପ୍ରତିଶତ ଇଣ୍ଟରନେଟ ସହ ସଂଯୁକ୍ତ । ଏହି ପରିସଂଖ୍ୟାନ ମନୋରଞ୍ଜନ ଉପଭୋକ୍ତାଙ୍କ ପୃଷ୍ଠଭୂମି ପରିଚ଼ିତିକୁ ଶାଣିତ କରିଥାଏ । ପରିବର୍ତ୍ତିତ ପରିବେଶରେ ମନୋରଞ୍ଜନ ଡ଼ିଜିଟାଲ ମଞ୍ଚ ମୁହାଁ ହେଉଥିବା ସ୍ଥଳେ ଏହି ମଞ୍ଚରେ ଉପଭୋକ୍ତାଙ୍କ ଉପସ୍ଥିତିର ସ୍ପଷ୍ଟ ତଥ୍ୟାବଳୀ ସୃଜନ ଠାରୁ ବ୍ୟବସାୟ ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ।                        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଜାନୁୟାରୀ ୨୦୨


ତଥ୍ୟ:

 

Research : Gen Z’s different definition of entertainment

 

https://advanced-television.com/2023/01/11/research-gen-zs-different-definition-of-entertainment/#:~:text=January%2011%2C%202023,same%20pool%20of%20disposable%20time.

 

Mudur, G.S. Survey bares teen’s internet addition. The Telegraph (Kolkata Edition) December 2, 2022

 

Srivastava, Akshara. Woman, rural poor lagging due to digital divide : Oxfam report. Business Standard (Bhubaneswar Edition). December 5, 2022