ଓଟିଟି

ଭିଡ଼ିଓ ପ୍ରସାରଣର ବିକଳ୍ପ ମଞ୍ଚ 'ଓଟିଟି'

ଗଣମାଧ୍ୟମରେ ‘ଓଟିଟି’ ବା ‘ଓଭର-ଦି-ଟପ’ ଇଣ୍ଟରନେଟ ମାଧ୍ୟମରେ ଭିଡ଼ିଓ ପ୍ରସାରଣକୁ ବୁଝାଇଥାଏ । ପାରମ୍ପରିକଭାବେ ଟେଲିଭିଜନ କାର୍ଯ୍ୟକ୍ରମ କ୍ଷେତ୍ରୀୟ, ଉପଗ୍ରହ କିମ୍ୱା କେବଲ ଯୋଗେ ପ୍ରସାରିତ ହେଉଥିବା ସ୍ଥଳେ ‘ଓଟିଟି’ ମଞ୍ଚରେ ବିନା ମଧ୍ୟସ୍ଥିତିରେ ମୁଖ୍ୟ ସୂତ୍ରଠାରୁ ସିଧାସଳଖ ଉପଭୋକ୍ତାଙ୍କଠାରେ ଇଣ୍ଟରନେଟ ସଂଯୁକ୍ତିରେ କାର୍ଯ୍ୟକ୍ରମ ଉପଲବ୍ଧ ହୋଇପାରେ । ‘ଓଟିଟି’ କୁ ‘ଭିଡ଼ିଓ ଷ୍ଟ୍ରୀମିଂ’ ମଧ୍ୟ କୁହାଯାଏ । ଏହା ଦେୟମୁକ୍ତ କିମ୍ୱା ଦେୟଯୁକ୍ତ ।‘ଓଟିଟି’ ପରିବେଶରେ ଉପଭୋକ୍ତା ନିଜ ରୁଚିମତେ ‘ଭିଡ଼ିଓ ଅନ ଡିମାଣ୍ଡ’ର ସୁବିଧା ଉପଭୋଗ କରେ । ଅର୍ଥାତ କୌଣସି କାର୍ଯ୍ୟକ୍ରମ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରସାରିତ ହୋଇଥିଲେ ହେଁ ଉପଭୋକ୍ତା ଚାହିଁବା ମାତ୍ରେ ସେହି କାର୍ଯ୍ୟକ୍ରମ ପ୍ରଦର୍ଶନର ବ୍ୟବସ୍ଥା ପାଇପାରେ । ପାରମ୍ପରିକ ଟେଲିଭିଜନ ପ୍ରସାରଣରେ ସେଭଳି ସୁଯୋଗ ଦୁର୍ଲଭ ।


 

ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତ ସହ ତାଳ ଦେଇ ଭାରତରେ ମଧ୍ୟ ‘ଓଟିଟି’ ମଞ୍ଚ ପ୍ରସାର ବୃଦ୍ଧି ପାଇବାରେ ଲାଗିଛି । ବୋଷ୍ଟନ କନସଲଟିଂ ଗୃପର ହିସାବ ଅନୁଯାୟୀ ୨୦୧୯ ମଧ୍ୟଭାଗ ସୁଦ୍ଧା ଦେଶରେ ପ୍ରାୟ ୩୦ କୋଟି ମାସିକ ସକ୍ରିୟ ‘ଓଟିଟି’ ଦର୍ଶକ ସୃଷ୍ଟି ହୋଇଛନ୍ତି । ସେମାନେ ମାସିକ ଅନ୍ତତଃ ଥରେ ‘ଓଟିଟି’ ମଞ୍ଚ ପରିଦର୍ଶନ କରିଥାନ୍ତି । ସେଥିମଧ୍ୟରୁ ଦୁଇରୁ ଅଢ଼େଇ କୋଟି ଦର୍ଶକ ଦୈନିକ ‘ଓଟିଟି’ ମଞ୍ଚରେ ଉପସ୍ଥିତ ରହିଥାନ୍ତି । ସମଗ୍ର ‘ଓଟିଟି’ ଦର୍ଶକ ମଣ୍ଡଳୀର ୧୮ ପ୍ରତିଶତ ପ୍ରସାରଣ ଦେୟ ବା ଗ୍ରହକ ଚାନ୍ଦା ପ୍ରଦାନ କରିଥାନ୍ତି ।


 

ଭାରତରେ ୨୦୧୯ ଆରମ୍ଭ ସୁଦ୍ଧା ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୫୦ କୋଟି ଟପିଥିବା ସ୍ଥଳେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ୪୭ କୋଟି ଟପିଛି । ବାର୍ଷିକଭିତ୍ତିରେ ପ୍ରାୟ ୧୩ ପ୍ରତିଶତ ଅଭିବୃଦ୍ଧିରେ ୨୦୨୨ ବେଳକୁ ଦେଶରେ ୮୫ କୋଟି ସ୍ମାର୍ଟଫୋନ ବ୍ୟବହୃତ ହେବା ଆକଳନ କରାଯାଉଛି । ଏଠାକାର ନୂଆ ଇଣ୍ଟରନେଟ ଉପଭୋକ୍ତାମାନେ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ବ୍ରାଉଜିଂ କରୁଥିବା ହେତୁ ମନୋରଞ୍ଜନ କ୍ଷେତ୍ରରେ ‘ଓଟିଟି’ ମଞ୍ଚର ବ୍ୟାପକ ପ୍ରସାର ଆଶା କରାଯାଏ । ‘ପ୍ରାଇସ ୱାଟରହାଉସ କୁପର’ଙ୍କ ଅନୁଶୀଳନରେ ୨୦୨୨ ସୁଦ୍ଧା ବିଶ୍ୱର ପ୍ରଥମ ଦଶ ଗୋଟି ‘ଓଟିଟି’ ବଜାରରେ ଭାରତ ସ୍ଥାନ ପାଇବ ଏବଂ ଏହାର ବାର୍ଷିକ କାରବାର ୫,୩୬୩ କୋଟି ଟଙ୍କାରେ ପହଞ୍ଚିବ ।


 

ଦେଶରେ ୩୨ ଗୋଟି ‘ଓଟିଟି’ ମଞ୍ଚ କାର୍ଯ୍ୟକ୍ରମ ପ୍ରସାରଣରେ ସଂପୃକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଲୋକପ୍ରିୟ ଛଅଗୋଟି ମଞ୍ଚ ମଧ୍ୟରେ ନେଟଫ୍ଳିକ୍ସ, ଆମେଜନ ପ୍ରାଇମ, ହଟଷ୍ଟାର, ଜୀ୫, ସୋନୀ ଓ ଭୂତ୍ ଅନ୍ତର୍ଭୁକ୍ତ । ଆନ୍ତର୍ଜାତିକସ୍ତରରେ ଅଗ୍ରଣୀ ନେଟଫ୍ଳିକ୍ସ ସଂପୂର୍ଣ୍ଣ ଦେୟଯୁକ୍ତ ପ୍ରସାରଣ । ‘ଓଟିଟି’ ମଞ୍ଚଗୁଡ଼ିକ ମଧ୍ୟରୁ କେତେଗୋଟି ସଂପୂର୍ଣ୍ଣ ଦେୟଯୁକ୍ତ ହୋଇଥିବା ସ୍ଥଳେ ଅନ୍ୟ କେତେଗୋଟି ସଂପୂର୍ଣ୍ଣ ମାଗଣା କିମ୍ୱା ଆଂଶିକ ଭାବେ ଦେୟଯୁକ୍ତ ଓ ଦେୟମୁକ୍ତ । ଦେୟମୁକ୍ତ ମଞ୍ଚଗୁଡ଼ିକ ବିଜ୍ଞାପନ ଉପରେ ନିର୍ଭରଶୀଳ । ହିସାବ ଅନୁଯାୟୀ ୨୦୧୯ ମଧ୍ୟଭାଗ ସୁଦ୍ଧା ‘ଓଟିଟି’ ପ୍ରସାରଣର ୮୨ ପ୍ରତିଶତ ଆୟ ବିଜ୍ଞାପନଭିତ୍ତିକ ଥିବା ସ୍ଥଳେ ୧୮ ପ୍ରତିଶତ ଆୟ ଗ୍ରାହକ ଚ଼ାନ୍ଦାରୁ ମିଳିଥାଏ । ତେବେ ଭବିଷ୍ୟତରେ ଗ୍ରାହକ ଚାନ୍ଦା ଆୟ ବୃଦ୍ଧି ପାଇ ୨୦୨୨ ବେଳକୁ ୩୨ ପ୍ରତିଶତରେ ପହଞ୍ଚିବା ଆଶା କରାଯାଉଛି ।


 

‘ଓଟିଟି’ ମଞ୍ଚ ପ୍ରତି ଦର୍ଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଅଗ୍ରଣୀ ମଞ୍ଚଗୁଡ଼ିକ ମୌଳିକ କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ପ୍ରାଧାନ୍ୟ ଦେଉଛନ୍ତି । ନେଟଫ୍ଳିକ୍ସ ବହୁ ରାଷ୍ଟ୍ରରେ ପ୍ରସାରଣରେ ସଂପୃକ୍ତ ଥିବା ହେତୁ ଆନ୍ତର୍ଜାତିକସ୍ତରର କାର୍ଯ୍ୟକ୍ରମ ସହ ସ୍ଥାନୀୟ କାର୍ଯ୍ୟକ୍ରମ ଓ ନିଜସ୍ୱ ପ୍ରସ୍ତୁତ ମୌଳିକ କାର୍ଯ୍ୟକ୍ରମର ସମିଶ୍ରଣ କରିଥାଏ । ଜୀ୫ ମଞ୍ଚରେ ୧୨ ଗୋଟି ଭାରତୀୟ ଭାଷାରେ ପ୍ରସ୍ତୁତ କାର୍ଯ୍ୟକ୍ରମ ସ୍ଥାନିତ । ‘ଭାୟକମ ୧୮’ର ‘ଓଟିଟି’ ମଞ୍ଚ ‘ଭୂତ’ରେ ୩୦ ହଜାର ଘଣ୍ଟାର ଆଞ୍ଚଳିକ ଭାଷାର କାର୍ଯ୍ୟକ୍ରମ ଉପଲବ୍ଧ । ମୋଟ ଉପରେ ୨୦୧୯ ସୁଦ୍ଧା ‘ଓଟିଟି’ ମଞ୍ଚଗୁଡ଼ିକ ମୌଳିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ଭାରତୀୟ ଆଞ୍ଚଳିକ ଭାଷାରେ ସୃଜନ ବିସ୍ତୃତି ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।


 

ଗଣମାଧ୍ୟମ ସମୀକ୍ଷକଙ୍କ ଦୃଷ୍ଟିରେ ଭାରତରେ ‘ଓଟିଟି’ର ଭବିଷ୍ୟତ ସୁଦୃଢ଼ । ମୁଖ୍ୟତଃ ସ୍ମାର୍ଟ ଫୋନ ସଂଖ୍ୟା ବୃଦ୍ଧି ପାଉଥିବା, ଉପଭୋକ୍ତାମାନେ ବ୍ୟବହାରରେ ଅଧିକରୁ ଅଧିକ ସମୟ ବିନିଯୋଗ ଏବଂ ମୋବାଇଲ ପର୍ଦ୍ଦାରେ ଭିଡ଼ିଓ ପ୍ରଦର୍ଶନ ଅଗ୍ରାଧିକାର ଦାବୀ କରୁଥିବା ହେତୁ ‘ଓଟିଟି’ ଦର୍ଶକମାନଙ୍କୁ ପ୍ରଭାବିତ କରିବା ସୁନିଶ୍ଚିତ । ଏଥିସହ ‘ଭିଡିଓ ଅନ ଡିମାଣ୍ଡ’ ତଥା ପାରମ୍ପରିକ ଟେଲିଭିଜନ କାର୍ଯ୍ୟକ୍ରମଠାରୁ ଭିନ୍ନ ଉପାଦାନ ‘ଓଟିଟି’ ଦର୍ଶକଙ୍କୁ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବାକୁ ସମର୍ଥ ହୋଇଥାଏ ।‘ଓଟିଟି’ ମଞ୍ଚରେ ବିଭିନ୍ନ ରୁଚି ସମ୍ପନ୍ନ ଦର୍ଶକଙ୍କ ନିମନ୍ତେ ଭିନ୍ନ ଭିନ୍ନ ପ୍ୟାକେଜ ପ୍ରସ୍ତୁତି ସଂଭବପର । ଉଦାହରଣରେ କେହି ଦର୍ଶକ ବିଜ୍ଞାନ ସଂପର୍କରେ କିମ୍ୱା ଅନ୍ୟ କେହି ଫୁଟବଲ ଖେଳ ସଂପର୍କରେ ଅହୋରାତ୍ର କାର୍ଯ୍ୟକ୍ରମ ଖୋଜିଲେ ପାଇପାରିବ । ସେହିକାରଣରୁ ଭବିଷ୍ୟତରେ ଯଦି ‘ଓଟିଟି’ ମଞ୍ଚ କେବଳ ଦେୟଯୁକ୍ତ ବ୍ୟାବସାୟିକ ମଡ଼େଲରେ ସମର୍ଥ ହୁଏ ତେବେ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଗୁଣାତ୍ମକ ବିକାଶ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ରହିବ ।


 

ନେଟଫ୍ଳିକ୍ସ ଓ ଆମେଜନ ପ୍ରାଇମ ‘ଓଟିଟି’ ମଞ୍ଚ କେବଳ ଗ୍ରାହକମାନଙ୍କ ନିମନ୍ତେ ଉପଲବ୍ଧ ଥିବା ସ୍ଥଳେ ହଟଷ୍ଟାର, ଜୀ୫, ସୋନୀ ଓ ଭୂତ ମଞ୍ଚର କେତେକ କାର୍ଯ୍ୟକ୍ରମ ମାଗଣା ଓ ଅନ୍ୟ କେତେକ ଦେୟଯୁକ୍ତ । ବିନା ଶୁଳ୍କରେ ପ୍ରଦର୍ଶିତ ମଞ୍ଚଗୁଡ଼ିକ ବିଜ୍ଞାପନ ରାଜସ୍ୱରେ ନିର୍ଭରଣଶୀଳ ଥିଲେ ହେଁ ୨୦୧୯ ସୁଦ୍ଧା ‘ଓଟିଟି’ ମଞ୍ଚଗୁଡ଼ିକରେ ଅଧିକ ସଂଖ୍ୟକ ଦର୍ଶକ ଦୈନିକଭିତ୍ତିରେ ଉପସ୍ଥିତ ନ ରହୁଥିବା କାରଣରୁ ବିଜ୍ଞାପନ ଦାତାମାନେ ଅପେକ୍ଷାକୃତ ଗହଳଚହଳ ସୋସିଆଲ ମିଡିଆ ମଞ୍ଚ ଫେସବୁକ ଓ ଗୁଗୁଲରେ ବିଜ୍ଞାପନ ପ୍ରଦର୍ଶନ ଲାଗି ଗୁରୁତ୍ୱ ପ୍ରଦାନ କରିଥାନ୍ତି । ଭାରତରେ ସାଧାରଣରେ ଦର୍ଶକଙ୍କ ମୋଟ ଗଣମାଧ୍ୟମ ସଂପୃକ୍ତିର ମାତ୍ର ୧୬ ପ୍ରତିଶତ ସମୟ ଡିଜିଟାଲ ମଞ୍ଚରେ ଅତିବାହିତ ହୋଇଥାଏ । ଅବଶ୍ୟ ଯୁବ ସମ୍ପ୍ରଦାୟରେ ଏହି ସୀମା ୨୫ ପ୍ରତିଶତ ଯାଏଁ ବୃଦ୍ଧି ପାଉଥିବା ହିସାବ କରାଯାଏ । ଏତାଦୃଶ ପରିବେଶରେ ‘ଓଟିଟି’ ମଞ୍ଚଗୁଡ଼ିକ ବ୍ୟବସାୟ ସମ୍ଭାଳିବା ନିମନ୍ତେ ଅଧିକ ଗ୍ରାହକ ସୃଷ୍ଟି ବ୍ୟତୀତ ଅନ୍ୟ ପନ୍ଥା ନାହିଁ ।

 

ଭାରତୀୟ ବଜାରରେ କେବଲ ଟେଲିଭିଜନ ଗ୍ରାହକ ଚାନ୍ଦାର ଦୁଇ ତିନି ଗୁଣ ‘ଓଟିଟି’ ଗ୍ରାହକ ଚାନ୍ଦା । ଉଦାହରଣରେ ନେଟଫ୍ଳିକ୍ସର ଟେଲିଭିଜନ, ଡେସ୍କଟପ କମ୍ପ୍ୟୁଟର, ଲ୍ୟାପଟପ ଓ ମୋବାଇଲ ବ୍ୟବହାରରେ ମାସିକ ଗ୍ରାହକ ଚାନ୍ଦା ୪୯୯ ରୁ ୭୯୯ ଟଙ୍କା ରହିଛି । ଆମ ଦେଶରେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ତଥା ଆନ୍ତର୍ଜାତିକସ୍ତରରେ ଅନ୍ୟାନ୍ୟ ଦେଶ ତୁଳନାରେ ଇଣ୍ଟରନେଟର ବ୍ୟବହାର ସ୍ମାର୍ଟଫୋନ ଯୋଗେ ଅଧିକ ଥିବା କାରଣରୁ ଭାରତୀୟ ପରିବେଶରେ ସ୍ମାର୍ଟଫୋନ ବ୍ୟବହାରକାରୀ ଗ୍ରାହକ ସଂଖ୍ୟା ବୃଦ୍ଧି ପାଇଁ ‘ଓଟିଟି’ ପ୍ରାୟୋଜକମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି । ନେଟଫ୍ଳିକ୍ସ ପକ୍ଷରୁ ୨୦୧୯ ଜୁଲାଇ ମାସରେ କେବଳ ମୋବାଇଲ ପର୍ଦ୍ଦାରେ କାର୍ଯ୍ୟକ୍ରମ ଆହରଣ ଲାଗି ମାସିକ ୧୯୯ ଟଙ୍କା ଗ୍ରାହକ ଚାନ୍ଦା ନିର୍ଦ୍ଧାରଣ କରାଯାଇଥିଲା । ଭାରତରେ ଟେନଫ୍ଳିକ୍ସର ଗ୍ରାହକ ସଂଖ୍ୟା ୨୦୧୯ ମଧ୍ୟଭାଗ ସୁଦ୍ଧା ମାତ୍ର ତେର ଲକ୍ଷ ଥିବା ସ୍ଥଳେ ସଂସ୍ଥାର ପ୍ରତିଷ୍ଠାତା ଅଧ୍ୟକ୍ଷ ରିଡ଼ ହେଷ୍ଟିଙ୍ଗସ ଭବିଷ୍ୟତରେ ଭାରତରୁ ଅଧିକ ସଂଖ୍ୟକ ଗ୍ରାହକ ବୃଦ୍ଧି କରିବା ନିମନ୍ତେ ଯୋଜନା ରଖିଛନ୍ତି । ଏଭଳି ପରିବେଶ ଭାରତରେ ଭିଡ଼ିଓ ପ୍ରସାରଣରେ ‘ଓଟିଟି’ ଏକ ବିକଳ୍ପ ମଞ୍ଚରୂପେ ଗଢ଼ି ଉଠୁଥିବା ସ୍ୱଷ୍ଟ ସୂଚନା ମିଳିଥାଏ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଅଗଷ୍ଟ ୨୦୧୯


ତଥ୍ୟ:



Das Gupta, Surajeet. OTT players opt for creative construction. Business Standard  (Bhubaneswar Edition) July 31, 2019.


 

Malvania, Urvi. OTT platforms toss up the language card. Business Standard (Bhubaneswar Edition). July 30, 2019.


 

Malvania, Urvi. Diversity is key for Netflix. Business Standard (Bhubaneswar Edition). August 1, 2019.


 

Rai, Saritha. Netflix backs ex-bankers to shake up Bollywood. Business Standard. (Bhubaneswar Edition). July 31, 2019.

କ୍ରମବିକଶିତ ଓଟିଟି ମଞ୍ଚ

ଓଭର-ଦି-ଟପ ବା ଓଟିଟି ମଞ୍ଚକୁ ଷ୍ଟ୍ରୀମିଂ ଟେଲିଭିଜନ ମଧ୍ୟ ନାମିତ କରାଯାଇଥାଏ । ଭାରତରେ ମହାମାରୀ-ପୂର୍ବ ଅବସ୍ଥାରୁ ଓଟିଟି ମଞ୍ଚ ବିକଶିତ ହୋଇ ମହାମାରୀ କାଳରେ ଲୋକପ୍ରିୟତା ହାସଲ କରିଥିଲା । ମହାମାରୀ-ପର ଗଣମାଧ୍ୟମ ପରିଧିରେ ଏହାର ବ୍ୟାପକ ପ୍ରସାର ଆଶା କରାଯାଉଛି । ପ୍ରକାଶିତ ବିଭିନ୍ନ ବିବରଣୀ ଅନୁଯାୟୀ ୨୦୨୧ରେ ଦେଶରେ ଓଟିଟି ମଞ୍ଚ ଉଭୟ ଉପଭୋକ୍ତା ସଂଖ୍ୟାବୃଦ୍ଧି ଓ ପ୍ରସାରିତ କାର୍ଯ୍ୟକ୍ରମର ଗୁଣାତ୍ମକ ବିକାଶ ନିମନ୍ତେ ବଦ୍ଧପରିକର ରହିଥିଲା ।


 

ଭାରତରେ ୨୦୨୧ ଆରମ୍ଭ ସୁଦ୍ଧା ପ୍ରାୟ ୪୦ରୁ ଅଧିକା ଓଟିଟି ମଞ୍ଚ ପ୍ରଚଳିତ ଥିଲା । ‘ବିଗ୍ ଫ୍ଲିକ୍ସ’ ପ୍ରଥମ ଓଟିଟି ମଞ୍ଚ ଭାବେ ୨୦୦୮ରେ ଆତ୍ମପ୍ରକାଶ କରିଥିଲା । ‘ନେକ୍ସ ଜିଓଭି’ ୨୦୧୦ରେ ସ୍ମାର୍ଟଫୋନ ଉପଯୋଗୀ ପ୍ରଥମ ଓଟିଟି ଆପ । ତେବେ ୨୦୧୩ରେ ଜୀର ‘ଡିଟୋ ଟିଭି’ ଓ ‘ସୋନି ଲିଭ’, ୨୦୧୫ରେ ‘ନେଟଫିକ୍ସ’ ତଥା ୨୦୧୬ରେ ‘ଆମେଜନ ପ୍ରାଇମ ଭିଡ଼ିଓ’ ଆରମ୍ଭ ହେବାପରେ ଓଟିଟି ମଞ୍ଚ ଲୋକପ୍ରିୟତା ହାସଲ କରିଥିଲା ।


 

୨୦୧୫ରୁ ୨୦୨୦ ଯାଏଁ କ୍ରମାଗତଭାବେ ଦେଶରେ ନୂତନ ଓଟିଟି ମଞ୍ଚ ଓ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିଲା । ୨୦୧୫ରେ ନେଟଫ୍ଳିକ୍ସ ସହ ଡିସନୀ + ହଟଷ୍ଟାର, ଏରସ ନାଓ, ହଙ୍ଗାମା ପ୍ଳେ , ଭିଉ ଓ ଟିଭିଏଫ ପ୍ଳେ , ୨୦୧୬ରେ ଆମେଜନ ପ୍ରାଇମ ଭିଡ଼ିଓ ସହ ଭୂତ ଓ ଜିଓ ସିନେମା, ୨୦୧୭ରେ ଆଲଟ ବାଲାଜୀ, ହଇଚଇ ଓ ସନ ନେକ୍ସଟ, ୨୦୧୮ରେ ଜୀ୫, ଏମଏକ୍ସ ପ୍ଳେୟାର, ଜୟଟିଭି ଓ ଉଲୁ ଆପ, ୨୦୧୯ରେ ମୁବି, ସେମରାଓ ମି, ମନୋରମା ମାକ୍ସ ଓ ଇଣ୍ଡିଆ ସର୍ଟସ ଏବଂ ୨୦୨୦ରେ ଆହା, କ୍ୱିବି ଓ ପ୍ରାଇମ ରିଲ୍ସ ଇତ୍ୟାଦି ଆରମ୍ଭ ହୋଇଥିଲା ।


 

ବଙ୍ଗଳା ‘ହଇଚଇ’ ଆଞ୍ଚଳିକ ଭାଷାରେ ପ୍ରଥମ ଓଟିଟି ମଞ୍ଚର ମାନ୍ୟତା ପାଉଥିବା ସ୍ଥଳେ ତେଲୁଗୁଭାଷାରେ ‘ଆହା’ ଏବଂ ଓଡ଼ିଆ ଭାଷାରେ ‘ଓଲି ପ୍ଳସ’ ଅନ୍ୟ ଦୁଇ ଚର୍ଚ୍ଚିତ ମଞ୍ଚ । ଚ଼େନ୍ନାଇଭିତ୍ତିକ ‘ସନ ନେକ୍ସଟ’ ପକ୍ଷରୁ ତାମିଲ, ତେଲୁଗୁ, ମାଳାୟାଳମ, କନ୍ନଡ଼ ଓ ବଙ୍ଗାଳୀ ଭାଷାକେନ୍ଦ୍ରୀକ ଓଟିଟି ମଞ୍ଚ ପ୍ରସାରିତ ।


 

୨୦୨୧ରେ ଏପଲ ଟିଭି, ହେଚବିଓ ମାକ୍ସ, ଷ୍ଟାରଜ, ଡ଼ିସକଭରି +, ବୁକ-ମାଇ-ସୋ, ବିଗ-ବ୍ୟାଙ୍ଗ-ଏମ୍ୟୁଜମେଣ୍ଟ ଇତ୍ୟାଦି ଓଟିଟି ମଞ୍ଚ ପକ୍ଷରୁ ବ୍ୟାପକ ସଂପ୍ରସାରଣ ଯୋଜନାମାନ କାର୍ଯକାରୀ କରାଯାଇଥିଲା । ଏପେଲ ଟିଭି ଓ ଷ୍ଟାରଜ ପକ୍ଷରୁ ଭାରତରେ ମୌଳିକ କାର୍ଯ୍ୟକ୍ରମ ପ୍ରସ୍ତୁତ ନିମନ୍ତେ ପଦକ୍ଷେପ ନିଆଯାଇଥିଲା । ଡିସକଭରି + ପାଇଁ ମୌଳିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ନିମନ୍ତେ ମନୋଜ ବାଜପେୟୀ ଓ ରଣଦୀପ ହୁଡ଼ା ପ୍ରମୁଖଙ୍କ ସହ ଚୁକ୍ତି ହୋଇଥିଲା ।


 

ବୁକ-ମାଇ-ସୋ ଚଳଚ଼ିତ୍ର, ନାଟକ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନଲାଇନ ଟିକଟ ବିକ୍ରୀରେ ସଫଳତା ଲାଭ କରିଥିବା ସ୍ଥଳେ ଓଟିଟି ମଞ୍ଚରେ ମୁଖ୍ୟତଃ ଚଳଚ଼ିତ୍ରଭିତ୍ତିକ ଭିଡ଼ିଓ-ଅନ-ଡିମାଣ୍ଡ ସେବା ଆରମ୍ଭ କରିଛି । ପ୍ରାଥମିକ ଭାବେ ୬୦୦ଚଳଚ଼ିତ୍ର ଦର୍ଶକମାନେ ଥରେ ଦେଖିବା ନିମନ୍ତେ କିମ୍ୱା ଡ଼ାଉନଲୋଡ଼ କରିବା ସୁବିଧା ପାଇପାରୁଛନ୍ତି । ଏଥିରେ ଖ୍ରୀଷ୍ଟଫର ନାଲୋନଙ୍କ ‘ଟେନେଟ’, ଗାଲ ଗୋଡ଼ଟଙ୍କ ‘ୱାଣ୍ଡର ଉମେନ ୧୯୮୪’ ଓ ‘ଦି କ୍ରାଫଟ ଲିଗାସି’ ଭଳି ଚଳଚ଼ିତ୍ର ସାମିଲ ହୋଇଛି ।


 

ଆମ ଦେଶରେ ସର୍ଟ ଫିଲ୍ମ ସଂଖ୍ୟା ବୃଦ୍ଧି ପାଇଚାଲିଥିଲେ ହେଁ ଏହାର ଦେୟଯୁକ୍ତ ପ୍ରଦର୍ଶନ ନିମନ୍ତେ ସୁଯୋଗ ସୃଷ୍ଟି ହୋଇ ପାରିନଥିଲା । ଫଳରେ ସର୍ଟ ଫିଲ୍ମ ପ୍ରଯୋଜକମାନେ ଫିଲ୍ମ ଫେଷ୍ଟିଭାଲ କିମ୍ୱା ୟୁଟ୍ୟୁବରେ ମାଗଣାରେ ଚଳଚ଼ିତ୍ର ପ୍ରଦର୍ଶନରେ ସୀମିତ ରହୁଥିଲେ । ବିଗ-ବ୍ୟାଙ୍ଗ-ଏମ୍ୟୁଜମେଣ୍ଟ ପକ୍ଷରୁ ମୌଳିକ ସର୍ଟଫିଲ୍ମ ଷ୍ଟ୍ରୀମିଂର ବ୍ୟବସ୍ଥା କରାଯାଇଛି । ଫେବୃୟାରୀରୁ ମାସିକ ଏକ ଟଙ୍କା ଦେୟରେ ପ୍ରତ୍ୟେହ ଗୋଟିଏ ନୂତନ ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ଅଧିକ ସର୍ଟଫିଲ୍ମ ମଞ୍ଚରେ ଗଚ୍ଛିତ ରଖାଯାଇଥିଲା ।


 

କ୍ରମବିକଶିତ ଓଟିଟି ମଞ୍ଚ ଭାରତୀୟ ଦୃଶ୍ୟଶ୍ରାବ୍ୟ ମନୋରଞ୍ଜନ ଶିଳ୍ପକୁ ପ୍ରଭାବିତ କରିସାରିଛି ବୋଲି କହିବାକୁ ହେବ । ମହାମାରୀ ପୂର୍ବରୁ ସର୍ବଭାରତୀୟସ୍ତରରେ ଓଟିଟି ମଞ୍ଚ ନିଜର ଆସ୍ଥାନ ଜମାଇ ସାରିଥିବା ସ୍ଥଳେ ମହାମାରୀରେ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ଦୀର୍ଘ କାଳ ଯାଏଁ ବନ୍ଦ ରହିବା ଏବଂ ସାଧାରଣ ଉପଭୋକ୍ତାଙ୍କ ଇଣ୍ଟରନେଟ ଆହରଣ, ମୁଖ୍ୟତଃ ମୋବାଇଲଫୋନ ବ୍ୟବହାର ସମୟସୀମା ବୃଦ୍ଧି ଓଟିଟି ମଞ୍ଚର ପ୍ରସାରକୁ ସୁହାଇଥିଲା । ମହାମାରୀ-ପର ଅବସ୍ଥାରେ ମଧ୍ୟ ସଂକ୍ରମଣ ଭୟରେ ଭିଡ଼ରୁ ଦୂରେଇ ରହିବା ପାଇଁ ଚଳଚ଼ିତ୍ର ପ୍ରେକ୍ଷାଳୟରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇ ପାରିନଥିଲା । ଏହି ଅବସ୍ଥା ଦୀର୍ଘକାଳ ଯାଏଁ ବଳବତ୍ତର ରହିବା ଆଶା କରାଯାଉଥିବା ହେତୁ ଓଟିଟି ମଞ୍ଚଗୁଡ଼ିକ ବ୍ୟାପ୍ତିର ମୁଖ୍ୟ କାରଣ ।


 

ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ଇଣ୍ଟରନେଟ ପ୍ରସାର, ଆହରଣ ଉପକରଣ ଜନସାଧାରଣଙ୍କ ହାତପାଆନ୍ତାରେ ପହଞ୍ଚିବା ତଥା ବ୍ୟାବହାରିକ ଖର୍ଚ୍ଚ ହ୍ରାସ ହେତୁ ମନୋରଞ୍ଜନ ଶିଳ୍ପରେ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି ହୋଇଥିଲା । ଉଭୟ ଚଳଚ଼ିତ୍ର ଓ ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋକ୍ତାଙ୍କ ଲାପଟପ, ଟେବଲେଟ, ସ୍ମାର୍ଟଫୋନ ପରଦାରେ ପ୍ରଦର୍ଶନର ସୁବିଧା ଫଳରେ ପୂର୍ବପ୍ରଚଳିତ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତାଙ୍କ ଏକଚାଟିଆ ବ୍ୟାବସାୟିକ ମଡ଼େଲ ଭୁଷୁଡ଼ି ପଡ଼ିଥିଲା ।


 

ମନୋରଞ୍ଜନ ଶିଳ୍ପର ପ୍ରମୁଖ ଉପଭୋକ୍ତା ଯୁବବର୍ଗ ପରିବର୍ତ୍ତିତ ଜୀବନ ଶୈଳୀରେ ଚଳଚ଼ିତ୍ର ଓ ଟିଲିଭିଜନ କାର୍ଯ୍ୟକ୍ରମ ଉପଭୋଗ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନରେ, ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିବା ବଦଳରେ ନିଜସ୍ୱ ଉପକରଣ ମାଧ୍ୟମରେ ଆହରଣ ଅଭ୍ୟାସ ଆପଣାଇବାକୁ ଲାଗିଲେ । ବୈଷୟିକ କାରିଗରୀ କୌଶଳରେ କ୍ଳାଉଡ଼ କମ୍ପ୍ୟୁଟିଂ ତଥ୍ୟ ଗଚ୍ଛିତ ରଖିବା ତଥା ବିତରଣ ଲାଗି ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିପାରିଲା । ଏହି ପରିସ୍ଥିତିରେ ବିଶ୍ୱବ୍ୟାପୀ ଷ୍ଟ୍ରୀମିଂଧାରାର ଆଦର ବଢ଼ିଲା ଏବଂ ଭାରତ ମଧ୍ୟ ସେହି ଧାରାରେ ସାମିଲ ହେଲା ।


 

କେତେକ ପରିସଂଖ୍ୟାନ ଅନୁଯାୟୀ ୨୦୨୧ ଆରମ୍ଭ ସୁଦ୍ଧା ଦେଶରେ ଇଣ୍ଟରନେଟ ସଂଯୁକ୍ତି ୬୮ କୋଟି ୭୬ ଲକ୍ଷରେ ପହଞ୍ଚିଥିବା ସ୍ଥଳେ ସ୍ମାର୍ଟଫୋନ ସଂଖ୍ୟା ୭୦ କୋଟିକୁ ବୃଦ୍ଧି ପାଇଥିଲା । ଓଟିଟି ମଞ୍ଚରେ ଗ୍ରାହକ ଶ୍ରେଣୀଭୁକ୍ତ ହେବାପାଇଁ ଭାରତୀୟମାନେ ପଛଘୁଞ୍ଚା ଦେବା ଆଶଙ୍କାରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଥିଲା । ଆଗ ଧାଡ଼ିର ଓଟିଟି ମଞ୍ଚଗୁଡ଼ିକର ଗ୍ରାହକଚାନ୍ଦା ଆଦାୟ ଆଶାଅନୁରୂପ ଥିବା ସ୍ଥଳେ ୟୁଟ୍ୟୁବ ଭଳି ବିଜ୍ଞାପନଭିତ୍ତିକ ମଞ୍ଚଗୁଡ଼ିକରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ବିଜ୍ଞାପନ ପ୍ରଦର୍ଶିତ ହେଉଛି । ଦର୍ଶକଙ୍କୁ ଆକର୍ଷିତ କରିବା ନିମନ୍ତେ ପାରମ୍ପରିକ ଚଳଚ଼ିତ୍ର ଓ ଟେଲିଭିଜନଠାରୁ ଗୁଣାତ୍ମକ ଉପାଦାନ ‘କଣ୍ଟେଣ୍ଟ’ ପ୍ରସ୍ତୁତ ପାଇଁ ଓଟିଟି ମଞ୍ଚଗୁଡ଼ିକ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ।


 

ଏହି ଦୌଡ଼ରେ ଓଟିଟି ମଞ୍ଚର ଉପାଦାନଗୁଡ଼ିକରେ କଳାତ୍ମକ ଅଭିବ୍ୟକ୍ତି ସାଙ୍ଗକୁ ହିଂସା, ନଗ୍ନତା, ବିଦ୍ୱେଷ ସମ୍ୱଳିତ ଚ଼ିତ୍ରାଙ୍କନର ସୀମା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଚଳଚ଼ିତ୍ର ଯାଞ୍ଚ ନିମନ୍ତେ ‘ସେନସର ବୋର୍ଡ଼’, ଟେଲିଭିଜନ କାର୍ଯ୍ୟକ୍ରମ ଯାଞ୍ଚ ନିମନ୍ତେ ‘ବ୍ରଡ଼କାଷ୍ଟ କଣ୍ଟେଣ୍ଟ କମ୍ପ୍ଳେଣ୍ଟ କାଉନସିଲ’ ଭଳି ସଂସ୍ଥା ନିୟୋଜିତ ଥିବା ସ୍ଥଳେ ଓଟିଟି ମଞ୍ଚର ଉପାଦାନର ଗୁଣବତ୍ତା ଯାଞ୍ଚ କିମ୍ୱା ଦର୍ଶକଙ୍କ ଅଭିଯୋଗ ବିଚାର ନିମନ୍ତେ କୌଣସି ବ୍ୟବସ୍ଥା ଆରମ୍ଭ ହୋଇପାରି ନାହିଁ । ଏହାକୁ ନେଇ ବିଭିନ୍ନସ୍ତରରେ ଆଲୋଚନା-ସମାଲୋଚନା, ଏପରିକି ନ୍ୟାୟଳୟର ହସ୍ତକ୍ଷେପ ଆବେଦନ ଅବସରରେ ଉଭୟ ଓଟିଟି ମଞ୍ଚ ପ୍ରଯୋଜକ ଓ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନିମନ୍ତେ ଉଦ୍ୟମ ଜାରି ରହିଛି ।


 

ଓଟିଟି ମଞ୍ଚ ପ୍ରଯୋଜକମାନେ ଚଳଚ଼ିତ୍ର ପ୍ରଦର୍ଶନ ପୂର୍ବ ଯାଞ୍ଚ ଲାଗି ସରକାରୀସ୍ତରରେ ସେନସର ବୋର୍ଡ ବଦଳରେ ଟେଲିଭିଜନ ଭଳି ବୈଧାନିକ ନୀତିନିୟମ ପ୍ରସ୍ତୁତି ଓ ପ୍ରଦର୍ଶନଜନିତ ଅଭିଯୋଗ ବିଚାର ନିମନ୍ତେ ବ୍ୟବସ୍ଥା ସୃଷ୍ଟିଲାଗି ଆଗ୍ରହୀ । ଏଥିଲାଗି ୨୦୧୯ ଓ ୨୦୨୦ ଦୁଇ ବର୍ଷ ମଧ୍ୟରେ ଓଟିଟି ମଞ୍ଚଗୁଡ଼ିକର ଶୀର୍ଷ ସଂଗଠନ ‘ଇଣ୍ଟରନେଟ ଏଣ୍ଡ ମୋବାଇଲ ଏସୋସିଏସନ ଅଫ ଇଣ୍ଡିଆ’ ମାଧ୍ୟମରେ ତିନିଗୋଟି ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଥିଲା । ତେବେ ସରକାର ସେଗୁଡ଼ିକୁ ଗ୍ରହଣ କରିନଥିଲେ ।


 

କେନ୍ଦ୍ର ସରକାର ଓଟିଟି ମଞ୍ଚ ସମେତ ଅନଲାଇନ ପରିବେଶରେ ଉପଲବ୍ଧ ସମସ୍ତ ଦୃଶ୍ୟ-ଶ୍ରାବ୍ୟ କାର୍ଯ୍ୟକ୍ରମ ତଥା ସମ୍ୱାଦ ଓ ସାଂପ୍ରତିକ ପ୍ରସଙ୍ଗ ଆଧାରିତ ଉପାଦାନର ନିୟନ୍ତ୍ରଣ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନକୁ ୨୦୨୦ ନଭେମ୍ୱର ମାସରେ ଆଣିଛନ୍ତି । ସରକାରଙ୍କ ପକ୍ଷରୁ ଉଭୟ ପାର୍ଲାମେଣ୍ଟ ଓ ସୁପ୍ରିମ କୋର୍ଟରେ ଖୁବ ଶୀଘ୍ର ଏଦିଗରେ ନୀତି ପ୍ରଣୟନ କରୁଥିବା କଥା ପ୍ରକାଶ କରିଛନ୍ତି ।


 

ଏହି ପରିସ୍ଥିତିରେ ଆମେଜନ ପ୍ରାଇମ ଭିଡ଼ିଓରେ ପ୍ରଦର୍ଶିତ ‘ତାଣ୍ଡବ’ ୱେବସିରିଜରେ ଉତ୍ତର ପ୍ରଦେଶ ପୋଲିସ ବାହିନୀ ଓ ହିନ୍ଦୁ ଦେବଦେବୀଙ୍କ ତଥା ପ୍ରଧାନମନ୍ତ୍ରୀ ଭୂମିକାର ଅପମାନସୂଚକ ଚ଼ିତ୍ରଣ ବିରୋଧରେ ବିଭିନ୍ନସ୍ତରରେ ସ୍ୱର ଉତ୍ତୋଳନ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୱେବ ସିରିଜର ପ୍ରଯୋଜକଙ୍କୁ ସମନ କରିଥିଲେ । ଓଟିଟି ମଞ୍ଚର ପରିଚାଳନା ନେଇ ସରକାରଙ୍କ ପକ୍ଷରୁ ଏହାକୁ ପ୍ରଥମ ହସ୍ତକ୍ଷେପ ବୋଲି ବିଶ୍ଳେଷକମାନେ ସୂଚାଇଥାନ୍ତି । ମିର୍ଜାପୁର-୨ ବିରୋଧରେ ମଧ୍ୟ ଅଭିଯୋଗ ପ୍ରତିଧ୍ୱନିତ ହୋଇଥିଲା ।

 

କେନ୍ଦ୍ର ସରକାରଙ୍କ ପ୍ରତୀକ୍ଷିତ ଡିଜିଟାଲ ମଞ୍ଚ ନିୟନ୍ତ୍ରଣଲାଗି ଯେକୌଣସି ନିୟମାବଳୀ ଗଣମାଧ୍ୟମ ପରିଧିରେ ଆଲୋଡ଼ନ ସୃଷ୍ଟି କରିବ । ମହାମାରୀ-ପର ଅବସ୍ଥାରେ ବିଶ୍ୱବ୍ୟାପୀ ଡ଼ିଜିଟାଲ ମଞ୍ଚ ଜନଜୀବନରେ ଗଭୀର ପ୍ରଭାବ ବିସ୍ତାର କରିଥିବା ସ୍ଥଳେ ରାଜନୀତିକ ଦୃଷ୍ଟିକୋଣରୁ ଏହାର ନିୟନ୍ତ୍ରଣ ଲାଗି କ୍ଷମତାସୀନ ସରକାର ଆଗ୍ରାହାନ୍ୱିତ ହେବା ସ୍ୱାଭାବିକ ବୋଲି ସାଧାରଣରେ ବିଶ୍ୱାସ କରାଯାଏ । ଦୂରଦ୍ରଷ୍ଟାମାନେ ୨୦୨୧ରେ ଆନ୍ତର୍ଜାତିକସ୍ତରରେ ବିଭିନ୍ନ ରାଷ୍ଟ୍ରରେ ଡିଜିଟାଲ ମଞ୍ଚ ନିୟନ୍ତ୍ରଣ ନିମନ୍ତେ ବହୁ ନୀତିନିୟମ ପ୍ରଣୟନର ପୂର୍ବଆକଳନ କରିଥିଲେ । ଏହି ପରିବେଶରେ ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟାକୁ ପରିବ୍ୟାପ୍ତ ଡ଼ିଜିଟାଲ ମଞ୍ଚଗୁଡ଼ିକର ଭବିଷ୍ୟତ ନିୟନ୍ତ୍ରଣର ରୂପରେଖ ଗୁରୁତ୍ୱ ବହନ କରିଥାଏ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୯ ଫେବୃୟାରୀ ୨୦୨୧


ତଥ୍ୟ:



Over-the-top media service in India. Wikipeida.org


 

The OTT war in India becomes intense in 2021. Brandequity. Feb 06, 2021


 

https://brandequity.economictimes.indiatimes.com/news/digital/the-ott-war-in-india-becomes-in-2021/80722286


 

Sinha, Manish. OTT under I & B ministry ambit. Brandequity.  February 09. 2021.


 

https://brandequity.economictimes.indiatimes.com/news/digitial-ott-under-ib-ministry-ambit/80759442


 

Jha, Lata. 17 OTT platforms release self-regulation took kit.livemint.com. February 12, 2021


 

https://www.livemint.com/industry/media/ott-services-release-tool-kit-for-selfregulation-11613035662795.html


 

Laghale, Gaurav & Vasudha Venugopal. Govt. drawing up broad guidelines for OTT censorship in India.economictimes.com. January 27, 2021


 

Global Freedom of Expression. Columbia University. Government of India to Regulate OTT platforms. January 15, 2021


 

https://globalfreedomofexpression.columbia.edu/updates/2021/01/government-of-india-to-regulate-ott-platforms/ 

 ଭିଡ଼ିଓ ଷ୍ଟ୍ରୀମିଂ ମଞ୍ଚ ବିକାଶ

ଭାରତୀୟ ଗଣମାଧ୍ୟମ ପରିଧିରେ ଭିଡ଼ିଓ ଷ୍ଟ୍ରୀମିଂ ବ୍ୟବସାୟ କ୍ରମାଗତଭାବେ ବୃଦ୍ଧିପାଇବାରେ ଲାଗିଛି । ପ୍ରାଇସ ୱାଟରହାଉସ କୁପରର୍ସଙ୍କ ଦ୍ୱାରା ୨୦୧୮ ଜୁନ ପ୍ରଥମ ସପ୍ତାହରେ ପ୍ରକାଶିତ ବିବରଣୀ ଅନୁଯାୟୀ ୨୦୧୭ରେ ଦେଶରେ ଭିଡ଼ିଓ ଷ୍ଟ୍ରୀମିଂ ବ୍ୟବସାୟରୁ ଆୟ ପ୍ରାୟ ୨,୦୦୦ କୋଟି ଟଙ୍କା ହିସାବ କରାଯାଇଥିବା ସ୍ଥଳେ ଆଗାମୀ ଚ଼ାରିବର୍ଷ ମଧ୍ୟରେ ୨୦୨୨ ବେଳକୁ ୫,୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇବା ଆକଳନ କରାଯାଉଛି । ୨୦୧୭ରେ ଅଭିବୃଦ୍ଧିହାର ପ୍ରାୟ ୨୩ ପ୍ରତିଶତ ରହିଥିଲା ।


 

ଲୋକପ୍ରିୟ ଭିଡ଼ିଓ ଷ୍ଟ୍ରୀମିଂ ମଞ୍ଚ ‘ହଟଷ୍ଟାର’ରେ ଇଣ୍ଡିଆନ ପ୍ରିମିୟର ଲିଗ୍ କ୍ରିକେଟ ଖେଳ ୨୦୧୭ରେ ୧୧ କୋଟି ୩୦ ଲକ୍ଷ ଦର୍ଶକ ଉପଭୋଗ କରିଥିବା ସ୍ଥଳେ ୨୦୧୮ରେ ଦର୍ଶକ ସଂଖ୍ୟା ୨୦ କୋଟି ୨୦ ଲକ୍ଷକୁ ବୃଦ୍ଧି ପାଇଥିବା ହିସାବ କରାଯାଇଛି । ଏଭଳି ଅଭିବୃଦ୍ଧି ହାର ବଳବତ୍ତର ରହିଲେ ୨୦୨୨ ସୁଦ୍ଧା ଭାରତ ଆନ୍ତର୍ଜାତିକସ୍ତରରେ ପ୍ରଥମ ଦଶଗୋଟି ଭିଡ଼ିଓ ଷ୍ଟ୍ରୀମିଂ ରାଷ୍ଟ୍ର ମଧ୍ୟରେ ଅନ୍ତର୍ଭୁକ୍ତ ହେବା ସଂଭବପର । ଏହି କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ସର୍ବାଗ୍ରେ ରହିଥିବାସ୍ଥଳେ ଚ଼ୀନ, ଜାପାନ, ବ୍ରିଟେନ ଓ କନାଡ଼ା ପାଞ୍ଚ ମୁଖ୍ୟ ରାଷ୍ଟ୍ରର ମାନ୍ୟତା ଦାବୀ କରିଥାନ୍ତି ।


 

ଭିଡ଼ିଓ ଷ୍ଟ୍ରୀମିଂ ମଞ୍ଚର ଲୋକପ୍ରିୟତା ନିମନ୍ତେ କେତେଗୋଟି କାରଣ ଚ଼ିହ୍ନଟ କରାଯାଇଥାଏ । ଇଣ୍ଟରନେଟ ସେବା ପ୍ରସାର, ବିଭିନ୍ନ ଧରଣର କମ୍ପ୍ୟୁଟିଂ ସାମଗ୍ରୀ ବ୍ୟବହାର ବୃଦ୍ଧି, ଡ଼ାଟା ଦର ହ୍ରାସ, ବହନୀୟତା ବା ‘ପୋର୍ଟାବିଲିଟି’ ତଥା ଗ୍ରାହକମାନଙ୍କୁ ବ୍ୟକ୍ତିଗତ ଆଗ୍ରହକୁ ସୁହାଇଲା ଭଳି କାର୍ଯ୍ୟକ୍ରମ ପ୍ରସାରଣ ଇତ୍ୟାଦିକୁ ପ୍ରାଧାନ୍ୟ ଦିଆଯାଇଥାଏ ।ପରିବର୍ତ୍ତିତ ପରିବେଶରେ ଯୁବଶ୍ରେଣୀରେ ଜନସଂଖ୍ୟା ବୃଦ୍ଧି, ବ୍ୟସ୍ତବହୁଳ ଜୀବନ ଶୈଳୀ, ମାତ୍ରାଧିକ ଭ୍ରମଣ ତଥା ପ୍ରଯୁକ୍ତିଗତ ସରଳତା ଭିଡ଼ିଓ ଷ୍ଟ୍ରୀମିଂକୁ ଲୋକପ୍ରିୟ କରାଇବା ତଥା ଅଧିକରୁ ଅଧିକ ଗ୍ରାହକ ସୃଷ୍ଟିରେ ସହାୟକ ହେଉଥିବା ବିଶ୍ୱାସ କରାଯାଏ ।


 

ଭାରତରେ ଟେଲିଭିଜନ ଦର୍ଶକ ସଂଖ୍ୟା ସର୍ବୋଚ୍ଚ ସ୍ଥାନ ଦାବୀ କରିଥାଏ । ୨୦୧୮ ମଧ୍ୟଭାଗ ସୁଦ୍ଧା ୧୮ କୋଟି ୩୦ ଲକ୍ଷ ପରିବାର ନିକଟରେ ଟେଲିଭିଜନ ସେଟ ଉପଲବ୍ଧ ଏବଂ ୯୧ କୋଟି ୫୦ ଲକ୍ଷ ଦର୍ଶକ ଦୈନିକ ହାରାହାରି ତିନିଘଣ୍ଟା ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତି । ଅପରପକ୍ଷେ ୪୨ କୋଟି ୪୦ ଲକ୍ଷ ଲୋକ ଇଣ୍ଟରନେଟ ସହ ସଂଯୁକ୍ତ ହୋଇଥିବା ସ୍ଥଳେ ସେଥି ମଧ୍ୟରେ ୩୦ କୋଟି ବ୍ରଡ଼ବେଣ୍ଡ ସେବା ପର୍ଯ୍ୟାୟଭୁକ୍ତ । ଆମ ଦେଶରେ ୧୦ କୋଟି ପରିବାରଙ୍କ ନିକଟରେ ଟେଲିଭିଜନ ସେଟ ନଥିବା ହିସାବ କରାଯାଇଥାଏ ।


 

ଭିଡ଼ିଓ ଷ୍ଟ୍ରୀମିଂ ମଞ୍ଚରେ ପ୍ରାୟ ତିନି ଡ଼ଜନରୁ ଉର୍ଦ୍ଧ୍ୱ ମନୋରଞ୍ଜନ ଆପ୍ଲିକେସନ ବା ‘ଆପ’ ମଧ୍ୟରୁ ହଟଷ୍ଟାର, ନେଟଫ୍ଳିକ୍ସ ଓ ଆମେଜନ ପ୍ରାଇମ ଲୋକପ୍ରିୟତାରେ ଶୀର୍ଷସ୍ଥାନ ଅଧିକାର କରିଥାନ୍ତି । ଭିଡ଼ିଓ ଷ୍ଟ୍ରୀମିଂ କ୍ଷେତ୍ରରେ ଗ୍ରାହକ ଚ଼ାନ୍ଦା ବା ସବସ୍କ୍ରିପସନ ୨୦୧୭ରେ ଆୟର ୭୦ ପ୍ରତିଶତ ଗଣତି କରାଯାଇ ଥିବାବେଳେ ୨୦୨୨ରେ ଗ୍ରାହକ ଚ଼ାନ୍ଦା ମୋଟ ଆୟର ୮୦ ପ୍ରତିଶତକୁ ବୃଦ୍ଧି ପାଇବା ଆଶା କରାଯାଉଛି । ନେଟଫ୍ଳିକ୍ସ ଗ୍ରାହକ ଚ଼ାନ୍ଦାକେନ୍ଦ୍ରୀକ ହୋଇଥିବା ସ୍ଥଳେ ହଟଷ୍ଟାର ହାଇବ୍ରିଡ଼ ମଡ଼େଲରେ କେତେକ କାର୍ଯ୍ୟକ୍ରମ ବିନାମୂଲ୍ୟରେ ପ୍ରଦର୍ଶିତ କରାଇ ବିଜ୍ଞାପନ ରାଜସ୍ୱ ଆଦାୟ କରୁଛି ଏବଂ ଅନ୍ୟ କେତେକ କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ଗ୍ରାହକ ଚ଼ାନ୍ଦା ଆଦାୟ କରିଥାଏ । ତେବେ ଭିଡ଼ିଓ ଷ୍ଟ୍ରୀମିଂ କ୍ଷେତ୍ରରେ କ୍ରମଶଃ ବିଜ୍ଞାପନରହିତ କାର୍ଯ୍ୟକ୍ରମ ଉପଭୋଗ ନିମନ୍ତେ ଉପଭୋକ୍ତାମାନଙ୍କ ଆଗ୍ରହ ବଢୁଥିବା ଅବସରରେ ଭବିଷ୍ୟତରେ ଏହି ମଞ୍ଚ ଅଧିକରୁ ଅଧିକ ଗ୍ରାହକଚାନ୍ଦା ପରିପୁଷ୍ଟ ହେବା ଯୁକ୍ତିଯୁକ୍ତ ମନେହୁଏ ।


 

ଭିଡ଼ିଓ ଷ୍ଟ୍ରୀମିଂ ମଞ୍ଚରେ ଗ୍ରାହକଚ଼ାନ୍ଦାର ପ୍ରସାର ଗଣମାଧ୍ୟମରେ ଉତ୍କର୍ଷତା ବିକାଶ ନିମନ୍ତେ ଦ୍ୱାର ଉନ୍ମୁକ୍ତ କରିବ ବୋଲି ଆଶା କରାଯାଇପାରେ । ସାଧାରଣ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ କଳାତ୍ମକ ଅଭିବ୍ୟକ୍ତିରୁ ଓହରିଯାଇ ବ୍ୟାବସାୟିକ ଧାରାରେ ମନୋନିବେଶ ଚଳଚ଼ିତ୍ର ଓ ଟେଲିଭିଜନ କାର୍ଯ୍ୟକ୍ରମଗୁଡ଼ିକର ଅଧୋଗତିର ମୁଖ୍ୟ କାରଣ । ଦର୍ଶକ ସଂଖ୍ୟା ବିଜ୍ଞାପନ ଆୟ ଉପରେ ନିର୍ଭରଶୀଳ ରହୁଥିବା ହେତୁ ବିଜ୍ଞାପନ ରାଜସ୍ୱ ଆଦାୟ ଲକ୍ଷ୍ୟରୁ ବିଚ୍ୟୁତ ହେଲେ ଉତ୍ପାଦର ଗୁଣବତ୍ତାପ୍ରତି ଧ୍ୟାନ ଆକର୍ଷିତ ହେବ । ଅପରପକ୍ଷେ ଉପଭୋକ୍ତାମାନେ ସାମଗ୍ରୀକ ଆକର୍ଷଣ ବଦଳରେ ବ୍ୟକ୍ତିଗତ ମନପସନ୍ଦର କାର୍ଯ୍ୟକ୍ରମ ଗ୍ରାହକଚ଼ାନ୍ଦା ଦେଇ ଉପଭୋଗ କରିପାରିବେ । ଗ୍ରାହକଙ୍କ ଦାବୀ ଉତ୍ପାଦର ମାନ ବୃଦ୍ଧିରେ ସହାୟକ ହେବ । ଅପରପକ୍ଷେ ଭିଡ଼ିଓ ଷ୍ଟ୍ରୀମିଂରେ ଗ୍ରାହକ ଶ୍ରେଣୀଭୁକ୍ତ ହେବା ଅଭ୍ୟାସ ଗଣମାଧ୍ୟମର ଅନ୍ୟାନ୍ୟ ମଞ୍ଚ ଯଥା: ସଂବାଦପତ୍ର, ରେଡ଼ିଓ ଓ ଟେଲିଭିଜନକୁ ମଧ୍ୟ ପ୍ରଭାବିତ କରିବା ସଂଭବପର ।


 

ଭାରତ ଭଳି ବହୁଭାଷୀ ରାଷ୍ଟ୍ରରେ ଭିଡ଼ିଓ ଷ୍ଟ୍ରୀମିଂ ଗଭୀର ଆଞ୍ଚଳିକସ୍ତରରେ ପ୍ରସାରଣ ସେବା ଉନ୍ମୋଚ଼ନରେ ସହାୟକ ହୋଇପାରେ । ସାଟେଲାଇଟ ଟେଲିଭିଜନ ଚ଼୍ୟାନେଲ ପ୍ରଯୋଜନା ଖର୍ଚ୍ଚବହୁଳ ହେଉଥିବା ଏବଂ ଅଳ୍ପ ସଂଖ୍ୟକ ଭାଷାଭାଷୀ ଦର୍ଶକ କାରଣରୁ ବିଜ୍ଞାପନ ରାଜସ୍ୱ ଅଭାବ ହେତୁ ସମସ୍ତ ଆଞ୍ଚଳିକ ଭାଷାରେ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସାରଣ ସଂଭବପର ହୋଇପାରୁ ନାହିଁ । ଭିଡ଼ିଓ ଷ୍ଟ୍ରୀମିଂ ଗ୍ରାହକ ଚ଼ାନ୍ଦା ସଂଗ୍ରହରେ ଉର୍ବର ପରିବେଶ ସୃଷ୍ଟି କରିପାରିଲେ କମ ସଂଖ୍ୟକ ଦର୍ଶକଙ୍କ ପାଇଁ ୱେବ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସାରଣ ବ୍ୟାବସାୟିକ ଦୃଷ୍ଟିରୁ ଲାଭଜନକ ହୋଇପାରେ । ଏହି ଧାରା ଆଞ୍ଚଳିକ କଳା ଓ ସଂସ୍କୃତି ସଂରକ୍ଷଣରେ ସହାୟକ ହେବା ସାଙ୍ଗକୁ ମନୋରଞ୍ଜନ ଶିଳ୍ପରେ ଅଧିକ ନିଯୁକ୍ତି ସୃଷ୍ଟି କରିବ । ସେହିଭଳି ଦର୍ଶକଙ୍କ ଚ଼ାହିଦା ମୁତାବକ ରାନ୍ଧଣାଠାରୁ ଆରମ୍ଭକରି ନିର୍ଦ୍ଧିଷ୍ଟ ଧର୍ମଭାବନା ସଂବଳିତ ସଂକୀର୍ଣ୍ଣ ବିଷୟକ ଟେଲିଭିଜନ ସେବାର ବ୍ୟାବସାୟିକ ମଡ଼େଲ ମଧ୍ୟ ଆଶା କରାଯାଇପାରେ ।


 

ଯୁକ୍ତରାଷ୍ଟ୍ର ଆମେରିକାରେ ଭିଡ଼ିଓ ଷ୍ଟ୍ରୀମିଂ କେବଲ ଟେଲିଭିଜନକୁ ପରାହତ କରିଛି । ଏହାର ମୁଖ୍ୟ କାରଣ ହେଲା ସେଠାରେ କେବଲ ଟେଲିଭିଜନ ଗ୍ରାହକ ଚ଼ାନ୍ଦା ମାସିକ ୨,୮୦୦ ରୁ ୫,୬୦୦ ଟଙ୍କା ପଡୁଥିବା ସ୍ଥଳେ ନେଟଫ୍ଳିକ୍ସ ଭଳି ଭିଡ଼ିଓ ଷ୍ଟ୍ରୀମିଂ ମାସିକ ଗ୍ରାହକ ଚ଼ାନ୍ଦା ୫୬୦ ରୁ ୮୪୦ ଟଙ୍କାରେ ସଂଭବପର । ତେବେ ଭାରତରେ କେବଲ ଟେଲିଭିଜନ ମାସିକ ଗ୍ରାହକ ଚ଼ାନ୍ଦା ୧୪୦ ରୁ ୨୧୦ ଟଙ୍କା ମଧ୍ୟରେ ସୀମିତ ଥିବାସ୍ଥଳେ ଭିଡ଼ିଓ ଷ୍ଟ୍ରୀମିଂ ଗ୍ରାହକ ଚ଼ାନ୍ଦା ଆକର୍ଷଣୀୟ ମନେହୁଏ ନାହିଁ । ତେଣୁ ଆମେରିକାର ଉଦାହରଣ ଆମ ଦେଶରେ ଆଶା କରାଯାଇ ନପାରେ । ତେବେ ଭିଡ଼ିଓ ଷ୍ଟ୍ରୀମିଂ ଯେ ଏକ ସ୍ୱତନ୍ତ୍ର ମଞ୍ଚ ରୂପେ ଦର୍ଶକ ମହଲରେ ସ୍ୱୀକୃତି ହାସଲ କରିସାରିଲାଣି ଏଥିରେ ସନ୍ଦେହ ନାହିଁ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୧୮


ତଥ୍ୟ:



Indian video streaming grows 23% YoY. The Times of India.Bhubaneswar Edition. July 8, 2018


 

The online video reality. (Mediascope by Vanita Kohli – Khandekar) Business Standard. Bhubaneswar Edition. July 20, 2018

ଶାନ୍ତାରାମ

ଅଷ୍ଟ୍ରେଲୀୟ ଲେଖକ ଗ୍ରେଗୋରି ଡ଼େଭିଡ଼ ରବର୍ଟଙ୍କ ୨୦୦୩ରେ ପ୍ରକାଶିତ ବହୁଳ ଚର୍ଚ୍ଚିତ ଉପନ୍ୟାସ ‘ଶାନ୍ତାରାମ’ ଆନ୍ତର୍ଜାତିକ ଷ୍ଟ୍ରୀମିଂ ମଞ୍ଚ ‘ଆପଲ ଟିଭିପ୍ଳସ’ରେ ବାର ଅଧ୍ୟାୟ ବିଶିଷ୍ଟ ୱେବ ସିରିଜ ରୂପରେ ୧୪ ଅକ୍ଟୋବର ୨୦୨୨ରୁ ଆରମ୍ଭ ହୋଇ ୧୬ ଡ଼ିସେମ୍ୱର ୨୦୨୨ରେ ପ୍ରଥମ ସିଜନ ଶେଷ ହେବା କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା । ଅଷ୍ଟ୍ରେଲିଆର ଏକ ଜେଲ ପଳାତକ ବ୍ୟାଙ୍କ ଲୁଟେରା କିଛି କାଳ ମୁମ୍ୱାଇରେ ଆତ୍ମଗୋପନର ବିବରଣୀ ‘ଶାନ୍ତାରାମ’ର କାହାଣୀ । ପଳାତକ ଲେଖକ ନିଜେ ଗ୍ରେଗୋରି ଡ଼େଭିଡ଼ । ସେ କହନ୍ତି ଯେ ‘ଶାନ୍ତାରାମ’ ଆତ୍ମଜୀବନୀ ନୁହଁ । ତାଙ୍କ ଅପରାଧିକ ଜୀବନର କେତେକ ସତ୍ୟ ଘଟଣା କଳ୍ପନାର ଖିଅରେ ଯୋଡ଼ି ହୋଇ ଉପନ୍ୟାସରେ ପରିଣତ ହୋଇଛି ।

 

ଗ୍ରେଗୋରି ଡ଼େଭିଡ଼ ବ୍ୟାଙ୍କ ଲୁଟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହରର ପେନଟ୍ରିଜ ଜେଲରେ ୧୯୭୮ରୁ ୧୯ ବର୍ଷ ସଜା କାଟୁଥିବା ଅବସରରେ ୧୯୮୦ରେ ଖସିଆସି ବିଭିନ୍ନ ରାଷ୍ଟ୍ରରେ ଆତ୍ମଗୋପନ କରିବାପରେ ୧୯୯୦ରେ ଜର୍ମାନର ଫ୍ରାଙ୍କଫର୍ଟରେ ଗିରଫ ହୋଇଥିଲେ । ଅପରାଧ ବିଚାର ନିମନ୍ତେ ଆଷ୍ଟ୍ରେଲିଆକୁ ପ୍ରତ୍ୟାର୍ପଣପରେ ସେ ଛଅ ବର୍ଷ ଜେଲଦଣ୍ଡ ଭୋଗ କରିଥିଲେ । ସେଥି ମଧ୍ୟରୁ ଦୁଇ ବର୍ଷ ତାଙ୍କୁ ଏକାନ୍ତବାସରେ ବନ୍ଦୀ ରୂପେ ରଖା ଯାଇଥିଲା । ଏହି ସମୟସୀମାରେ ନିଜ ଅପରାଧିକ ଜୀବନକୁ ପାଥେୟ କରି ‘ଶାନ୍ତାରାମ’ ଉପନ୍ୟାସ ରଚନା କରିଥିଲେ । ଗ୍ରେଗୋରି ଡ଼େଭିଡ଼ କହନ୍ତି ଯେ ଉପନ୍ୟାସର ପାଣ୍ଡୁଲିପିକୁ ଜେଲ କର୍ତ୍ତୃପକ୍ଷ ଦୁଇଥର ନଷ୍ଟ କରିଦେଇଥିଲେ ।

 

‘ଶାନ୍ତାରାମ’ ଉପନ୍ୟାସ ୨୦୨୨ ସୁଦ୍ଧା ୬୦ ଲକ୍ଷ କପି ବିକ୍ରୀ ହୋଇଥିବା ହିସାବ କରାଯାଏ । ଉପନ୍ୟାସଟି ୨୦୦୩ରେ ପ୍ରକାଶିତ ହେବାପରେ ୨୦୦୪ରୁ ଚଳଚ଼ିତ୍ର ରୂପାୟନ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା । ଲେଖକଙ୍କଠାରୁ କପିରାଇଟ ହଲିଉଡ଼ର ପ୍ରଖ୍ୟାତ ‘ୱେର୍ନର ବ୍ରଦର୍ସ’ କିଣି ନେଇଥିଲେ । ତେବେ ବିଭିନ୍ନ କାରଣରୁ ଚଳଚ଼ିତ୍ର ନିର୍ମାଣ ସଂଭବ ହୋଇପାରି ନଥିଲା । ଚୁକ୍ତି ଅନୁଯାୟୀ ୨୦୧୫ରେ ସମୟସୀମା ପାର ହେବା ପରେ ୨୦୧୮ରେ ‘ଆନୋନିମେସ କଣ୍ଟେଣ୍ଟ’ ପୁଣି ସତ୍ତ୍ୱ କିଣିଥିଲା । ହଲିଉଡ଼ର ‘ପାରାମାଉଣ୍ଟ ଟେଲିଭିଜନ ଷ୍ଟୁଡ଼ିଓସ’ ‘ଆନୋନିମେସ କଣ୍ଟେଣ୍ଟ’ ସହଯୋଗରେ ‘ଏପଲ ଟିଭିପ୍ଳସ’ ନିମନ୍ତେ ‘ଶାନ୍ତାରାମ’ ୱେବ ସିରିଜ ନିର୍ମାଣ କରିଛନ୍ତି ।

 

ଆନ୍ତର୍ଜାତିକସ୍ତରରେ ଏପଲ ଟିଭି ଅନ୍ୟତମ ବୃହତ୍ତମ ଷ୍ଟ୍ରିମିଂ ମଞ୍ଚ । ୨୦୧୯ରୁ ଆରମ୍ଭ ହୋଇଥିବା ଏହି ଓଭର-ଦି-ଟପ ପ୍ରସାରକ ୨୦୨୨ ସୁଦ୍ଧା ଶହେରୁ ଉର୍ଦ୍ଧ୍ୱ ରାଷ୍ଟ୍ରରେ ଶହେ କୋଟି ମୋବାଇଲ ଫୋନ, ଟେବଲେଟ, କମ୍ପ୍ୟୁଟର ଓ ସ୍ମାର୍ଟ ଟେଲିଭିଜନ ପରଦାରେ ଉପଲବ୍ଧ । ଏପଲ ଟିଭି ପ୍ରତିଷ୍ଠା କାଳରୁ ଏକ ସମ୍ଭ୍ରାନ୍ତ କଳାତ୍ମକ ଓଟିଟି ମଞ୍ଚର ମାନ୍ୟତା ପାଇ ଆସିଛି । ଏଲପ ଟିଭି ପ୍ଳସ ପ୍ରଯୋଜିତ ‘କୋଡ଼ା’ ଶ୍ରେଷ୍ଠ ଚଳଚ଼ିତ୍ର ରୂପେ ୨୦୨୧-୨୨ ଓସ୍କାର ପୁରସ୍କାର ପାଇଥିଲା । ‘ଶାନ୍ତାରାମ’ରେ ବ୍ରିଟିଶ ଅଭିନେତା ଚାର୍ଲସ ହୁନାନ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସ୍ଥଳେ ତିନିଜଣ ନିର୍ଦ୍ଦେଶକଙ୍କ ମଧ୍ୟରେ ଭାରତ ଜନ୍ମିତ ବ୍ରିଟିଶ ଚଳଚ଼ିତ୍ର ଓ ଟେଲିଭିଜନ ନିର୍ଦ୍ଦେଶକ ଭାରତ ନାଲୁରି ଅନ୍ୟତମ ।

 

‘ଶାନ୍ତାରାମ’ର କାହାଣୀ ବିଂଶ ଶତାଦ୍ଦୀ ଅଶୀ ଦଶକର ମୁମ୍ୱାଇ ନଗରୀ ଆଧାରିତ । ଆଷ୍ଟ୍ରେଲୀୟ ଜେଲ ପଳାତକ ଲିଣ୍ଡସେ ଫୋର୍ଡ ଛଦ୍ମ ନାମରେ ଜାଲ ପାସପୋର୍ଟ ଧରି ନିଉଜଲ୍ୟାଣ୍ଡରୁ ଜର୍ମାନ ଯିବା ରାସ୍ତାରେ ମୁମ୍ୱାଇରେ ପହଞ୍ଚେ । ଅବଶ୍ୟ ମୁମ୍ୱାଇରେ ରହିବା ଉଦ୍ଦେଶ୍ୟ ନଥିଲେହେଁ ଅବସ୍ଥାଚ଼କ୍ରରେ ଦଶ ବର୍ଷ ଯାଏଁ ରହିଯାଏ । ମୁମ୍ୱାଇରେ ଲିଣ୍ଡସେର ପ୍ରଥମ ସାକ୍ଷାତ ପ୍ରଭାକର ସହ ହୁଏ । ଲିଣ୍ଡସେ ପ୍ରଭାକରକୁ ଗାଇଡ଼ ଭାବେ ଗ୍ରହଣ କରେ ଏବଂ ଦିହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୁଏ । ଲିଣ୍ଡସେକୁ ପ୍ରଭାକର ଲିନ ନାମିତ କରେ । ଦୁଇ ବନ୍ଧୁ ପ୍ରଭାକର ଗ୍ରାମକୁ ଯାଆନ୍ତି । ପ୍ରଭାକର ମା’ ଲିନର ଶାନ୍ତ ଓ ପ୍ରସନ୍ନ ସ୍ୱଭାବ ଦେଖି ‘ଶାନ୍ତାରାମ’ ନାମରେ ଡ଼ାକନ୍ତି । ଦିହେଁ ମୁମ୍ୱାଇ ଫେରିବା ରାସ୍ତାରେ ସେମାନଙ୍କ ଜିନିଷପତ୍ର ଚୋରି ହୋଇଯାଏ । ଅଗତ୍ୟା ଦୁଇ ବନ୍ଧୁ ମୁମ୍ୱାଇ କୋଲାବାସ୍ଥିତ ନେଭିନଗର ନିକଟସ୍ଥ ବସ୍ତିରେ ବସବାସ କରନ୍ତି ।

 

ଲିନ ବସ୍ତିରେ ପହଞ୍ଚୁ ପହଞ୍ଚୁ ଅଗ୍ନିକାଣ୍ଡରେ ଅନେକ ଘର ପୋଡ଼ିଯାଏ ଓ ବହୁ ବସ୍ତିବାସିନ୍ଦା ଆହତ ହୁଅନ୍ତି । ଲିନ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା କାମରେ ଲାଗିପଡ଼େ । ଫଳରେ ସେ ବସ୍ତିରେ ଚ଼ିକିତ୍ସକର ମାନ୍ୟତା ପାଇଯାଏ । ଶାନ୍ତାରାମ ମୁମ୍ୱାଇ ବସ୍ତି ଜୀବନରେ ଅଭ୍ୟସ୍ତ ହୋଇପଡ଼େ । ମରାଠୀ ଶିଖିଯାଏ, ସ୍ଥାନୀୟ ସାମାଜିକ ଜୀବନରେ ବେଶ ଖାପ ଖୁଆଇ ଚାଲେ । ଶାନ୍ତାରାମ ମୁମ୍ୱାଇରେ କିଛିକାଳ ସ୍ଥାୟୀଭାବେ ରହିଯାଇଥିବା ବିଭିନ୍ନ ରାଷ୍ଟ୍ରର ନାଗରିକଙ୍କ ସଂସ୍ପର୍ଶରେ ଆସେ । ସୁଇଡ଼ିଶ-ଆମେରିକାନ କାର୍ଲା ନାମ୍ନୀ ମହିଳାଙ୍କ ସହ ପ୍ରେମ ସଂପର୍କ ଗଠି ଉଠେ । ଅପରାଧରୁ ଲିନ ଗୁଜୁରାଣ ମେଣ୍ଟାଏ । ବଲିଉଡ଼ରେ ଏକ୍ସଟ୍ରା ଭାବେ କିଛି ଦିନ ଅଭିନୟ ଦୁନିଆରେ ମଧ୍ୟ କଟାଏ ।

 

ମୁମ୍ୱାଇ ଅଣ୍ଡର ୱାର୍ଲଡ଼ରେ ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଚୋରା କାରବାରରେ ସଂପୃକ୍ତ ଲିନ ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ପହଞ୍ଚେ । ସୌଭାଗ୍ୟବଶତଃ ଜଣେ ଆଫଗାନସ୍ତାନ ମାଫିଆଙ୍କ ହସ୍ତକ୍ଷେପରେ ସେ ମୁକ୍ତି ପାଏ । ଏଣିକି ବେନିୟମ ବୈଦେଶିକ ମୁଦ୍ରା କାରବାର ଓ ନକଲି ପାସପୋର୍ଟ ପ୍ରସ୍ତୁତିରେ ସଂପୃକ୍ତ ରହି ଆଫଗାନସ୍ତାନ ଯାଇ ସେଠାକାର ମୁଜାହିଦ୍ଦିନ ଗରିଲା ଯୁଦ୍ଧ ଲାଗି ଅସ୍ତ୍ର ଚାଲାଣ ତଦାରଖ କରେ । ତେବେ ମୁମ୍ୱାଇ ଫେରିବା ପରେ ଆଫଗାନସ୍ତାନ ମାଫିଆ ନେତାଙ୍କ ମୃତ୍ୟୁରେ ସେ ଭାଙ୍ଗିପଡ଼େ । ଅପରାଧିକ କାର୍ଯ୍ୟ ଛାଡ଼ି ସତ୍ୟନିଷ୍ଠ ଜୀବନ ଯାପନ କରିବା ନିମନ୍ତେ ସ୍ଥିର କରେ । ମୁମ୍ୱାଇ ଛାଡ଼ି ଶ୍ରୀଲଙ୍କା ଯିବା ପାଇଁ ପ୍ରସ୍ତୁତିରେ ଲାଗିପଡ଼େ । ସେଠାରେ ଉପନ୍ୟାସଟି ସମାପ୍ତ ହୁଏ ।

 

ଗ୍ରେଗୋରି ଡ଼େଭିଡ଼ ରବର୍ଟ ବାଲ୍ୟକାଳରେ ‘ଗ୍ରେଗୋରି ଜନ ପିଟର ସ୍ମିଥ’ ନାମିତ ହୋଇଥିଲା । ଜନ୍ମ ୧୯୫୨ ମସିହାରେ । ବିବାହ ବିଚ୍ଛେଦ ହେତୁ ଗ୍ରେଗୋରି ଡ଼େଭିଡ଼ ହେରୋଇନ ନିଶାରେ ଅଭ୍ୟସ୍ତ ହୋଇପଡ଼ିଥିଲେ । ନିଶା କିଣିବା ନିମନ୍ତେ ଅର୍ଥ ଯୋଗାଡ଼ କରିବା ଲାଗି ସେ ଚୋରିରେ ମନୋନିବେଶ କରିଥିଲେ । ଆଷ୍ଟ୍ରେଲିଆ ଜେଲରୁ ପଳାୟନ, ଭାରତରେ ଆତ୍ମଗୋପନ ଓ ଜର୍ମାନରେ ଗିରଫ ହୋଇ ପୁଣି ଆଷ୍ଟ୍ରେଲିଆରେ ବନ୍ଦୀ ଜୀବନରେ ସେ ‘ଶାନ୍ତାରାମ’ ଉପନ୍ୟାସ ରଚ଼ନା କରିଥିଲେ । ଉପନ୍ୟାସଟି ଲୋକାଦୃତ ହେବାପରେ ଜଣେ ଲେଖକଭାବେ ଖ୍ୟାତି ବଢ଼ିଥିଲା । ପରବର୍ତ୍ତୀ ଅବସ୍ଥାରେ ୨୦୧୫ରେ ‘ଦି ମାଉଣ୍ଟେନ ସାଡ଼ୋ’ ଓ ୨୦୨୧ରେ ‘ଦି ସ୍ପିରିଚୁଆଲ ପାଥ’ ନାମରେ ଦୁଇଗୋଟି ପୁସ୍ତକ ପ୍ରକାଶ କରିଛନ୍ତି ।

 

ଗ୍ରେଗୋରି ଡ଼େଭିଡ଼ ରବର୍ଟ ଜଣେ କୃତୀ ଛାତ୍ର ଭାବେ ଜୀବନ ଆରମ୍ଭ କରିଥିଲେ । ସେ ଆଷ୍ଟ୍ରେଲିଆର ଭିକ୍ଟୋରିଆରେ ଦିନବେଳା କାରଖାନାରେ କାମ କରି ରାତିରେ ପଢୁଥିଲେ । ଜଣେ ଲେଖକ ଓ ଶିକ୍ଷକ ହେବା ନିମନ୍ତେ ଆଗ୍ରହୀ ଥିଲେ । ବିବାହ ପରେ ଏକ କନ୍ୟା ସନ୍ତାନର ପିତା ବନିଥିଲେ । ତେବେ ବିବାହ ବିଚ୍ଛେଦ ଓ ଝିଅର ତତ୍ତ୍ୱାବଧାନ ପୂର୍ବତନ ପତ୍ନୀଙ୍କ ହାତକୁ ଚାଲିଯିବାପରେ ଭାଙ୍ଗି ପଡ଼ିଥିଲେ । ଦୁଃଖ ଲାଘବ ନିମନ୍ତେ ହିରୋଇନ ନିଶାଶକ୍ତ ହୋଇପଡ଼ିବା ପରେ ଜୀବନର ଗତିପଥ ବଦଳି ଯାଇଥିଲା । ତେବେ ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ଅପରାଧିକ ଜୀବନରେ ମଧ୍ୟ ସେ ଲେଖାଲେଖି ଜାରି ରଖିଥିଲେ । ମୁମ୍ୱାଇ ଅବସ୍ଥାନ କାଳରେ ଛଦ୍ମନାମରେ ସ୍ଥାନୀୟ ଇଂଲିଶ ସମ୍ୱାଦପତ୍ରରେ ଲେଖୁଥିଲେ । ବନ୍ଦୀ ଜୀବନରୁ ମୁକ୍ତିପରେ ଉପନ୍ୟାସ, ସମ୍ୱାଦପତ୍ର ସ୍ତମ୍ୱ ଲେଖା ସହ ଆଷ୍ଟ୍ରେଲିଆରେ ଏକ ମଲଟି ମିଡ଼ିଆ କମ୍ପାନୀ ଓ ମୁମ୍ୱାଇରେ ଦାତବ୍ୟ ଚିକିତ୍ସା କାର୍ଯ୍ୟକ୍ରମରେ ସଂପୃକ୍ତ ରହିଛନ୍ତି ।

 

‘ଦି ସ୍ପିରିଚୁଆଲ ପାଥ’ ପୁସ୍ତକରେ ଗ୍ରେଗୋରି ଡ଼େଭିଡ଼ ରବର୍ଟ କିପରି ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହେଲେ ବର୍ଣ୍ଣନା କରିଛନ୍ତି । କାଳୀ ଉପାସନା ସହ ଗୁରୁ ଶ୍ରୀ ପ୍ରବୀର ପ୍ରିୟରଞ୍ଜନ ଭଟ୍ଟଚାର୍ଯ୍ୟାଙ୍କ ଦୀକ୍ଷାଗ୍ରହଣ ଅନୁଭୂତି ତାଙ୍କରି ପରବର୍ତ୍ତୀ ଜୀବନକୁ ପ୍ରଭାବିତ କରିଛି । ବିଭିନ୍ନ ସାଂସାରିକ ବନ୍ଧନୀରୁ ମୁକ୍ତ ହୋଇ ୨୦୧୫ରୁ ୨୦୨୧ ଯାଏଁ ନିୟମିତ ଦୈନିକ ଦୁଇ ବେଳା ଛଅ ବର୍ଷ ଶଙ୍ଖ ବାଦନରେ ସେ ନିଜକୁ ପୁନଃଆବିଷ୍କାର ଉଦ୍ୟମରତ ବୋଲି ଲେଖିଛନ୍ତି । ‘ଶାନ୍ତାରାମ’ ଔପନ୍ୟାସିକ ୨୦୨୨ ଶେଷପାଦରେ ଆଧ୍ୟାତ୍ମିକତା, ସାହିତ୍ୟ ଓ ସଙ୍ଗୀତର ଦୁନିଆରେ ଦିନ କଟାଉଥିବା ବେଳେ ସୁଦୂର ଅତୀତ ମୁମ୍ୱାଇ ଅପରାଧିକ ଜୀବନର ନାଟ୍ୟ ରୂପାନ୍ତର ବିଶ୍ୱବ୍ୟାପୀ ପ୍ରାୟ ଶହେ କୋଟି ମୋବାଇଲ ଫୋନ, ସ୍ମାର୍ଟ ଟେଲିଭିଜନ ପରଦାରେ ପ୍ରଦର୍ଶନ ଜୀବନର ସତ ମିଛର ହିସାବ ଗଣିଥାଏ ।

 

‘ଶାନ୍ତାରାମ’ ୟ୍ୟୁଟ୍ୟୁବ ଭିଡ଼ିଓ ଦେଖିବା ନିମନ୍ତେ କ୍ଳିକ କରନ୍ତୁ:

 

Shantaram – Official Trailer / Apple TV+

 

https://www.youtube.com/watch?v=9SSHhQRsYcM

 

Shantara Question – Who is your favourite character

 

https://www.youtube.com/watch?v=y4xO7CqoxAE    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୨୨


ତଥ୍ୟ:

 

www.gregorydavidroberts.com

 

https://www.encyclopedia.com/arts/educational-magazines/roberts-gregory-david-1952

 

Badami, Sunil. Shantaram – The Black White Man’s Burden

 

https://theconversation.com/shantaram-the-black-white-mans-burden-132173?utm_medium

 

https://www.hindustantimes.com/books/reviewthespriutal-path-by-gregory-david-roberts-101646416652012-html

ଦି ରିଙ୍ଗ୍ସ ଅଫ ପାୱାର

ଓଭର-ଦି-ଟପ ‘ଓଟିଟି’ ମଞ୍ଚ ଆମେଜନ ପ୍ରାଇମ ଭିଡ଼ିଓରେ ୨୦୨୨ ସେପ୍ଟେମ୍ୱର ଦୁଇ ତାରିଖରେ ମୁକ୍ତିଲାଭ କରିଥିବା ୱେବ ସିରିଜ ‘ଦି ରିଙ୍ଗସ ଅଫ ପାୱାର’ ପ୍ରଥମ ଦିବସରେ ଦୁଇ କୋଟି ୫୦ ଲକ୍ଷ ଦର୍ଶକଙ୍କୁ ଆକର୍ଷିତ କରିଥିବା ପ୍ରଦର୍ଶକଙ୍କ ପକ୍ଷରୁ ଦାବୀ କରାଯାଇଥିଲା । ଦୁଇଗୋଟି ଅଧ୍ୟାୟକୁ ନେଇ ମୁକ୍ତିଲାଭ କରିଥିବା ମେଗା ଧାରାବାହିକଟି ବିଶ୍ୱବ୍ୟାପୀ ୨୪୦ ଗୋଟି ରାଷ୍ଟ୍ରରେ ଦର୍ଶକ ଉପଭୋଗ କରିଥିଲେ । ସମୀକ୍ଷକଙ୍କ ମତରେ ଗଣମାଧ୍ୟମ ଇତିହାସରେ ଏହା ସର୍ବବୃହତ ଶୁଭମୁକ୍ତି ‘ପ୍ରିମିୟର’ । ‘ଦି ଲର୍ଡ ଅଫ ରିଙ୍ଗସ : ଦି ରିଙ୍ଗସ ଅଫ ପାୱାର’ର ପ୍ରଥମ ଅଧିବେଶନ ‘ସିଜନ’ ଅକ୍ଟୋବର ୧୪ ତାରିଖ ଯାଏଁ ପରିବ୍ୟାପ୍ତ ଏବଂ ସପ୍ତାହକୁ ଗୋଟିଏ ନୂଆ ଅଧ୍ୟାୟ ଭିତ୍ତିରେ ମୋଟ ଆଠଗୋଟି ଅଧ୍ୟାୟ ପ୍ରଦର୍ଶନର ବ୍ୟବସ୍ଥା ହୋଇଥିବା ପ୍ରକାଶ ।

 

‘ଦି ରିଙ୍ଗସ ଅଫ ପାୱାର’ ୧୯୫୪ ଓ ୧୯୫୫ରେ ତିନି ଖଣ୍ଡରେ ପ୍ରକାଶିତ ଜନ ରୋନାଲଡ଼ ରେଭଲ ଟେଲକିନଙ୍କ କାଳ୍ପନିକ ଉପନ୍ୟାସ ‘ଦି ଲର୍ଡ ଅଫ ରିଙ୍ଗସ’ ଆଧାରିତ । ଟେଲକିନ ଜଣେ ବ୍ରିଟିଶ ଅଧ୍ୟାପକ ଓ ଲେଖକ । ସେ ଦକ୍ଷିଣ ଆଫ୍ରିକାରେ ୧୮୯୨ରେ ଜନ୍ମଗ୍ରହଣ କରି ୮୧ ବର୍ଷ ବୟସରେ ଇଂଲ୍ୟାଣ୍ଡରେ ୧୯୭୩ରେ ମୃତ୍ୟୁବରଣ କରିଥିଲେ । ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ୧୯୨୫ରୁ ୧୯୫୯ ଯାଏଁ ପ୍ରାଚ଼ୀନ ଇଂଲିଶ ସାହିତ୍ୟ ଅଧ୍ୟାପନାରେ ସଂପୃକ୍ତ ରହିଥିଲେ । ‘ଦି ରିଙ୍ଗସ ଅଫ ପାୱାର’ ପୂର୍ବରୁ ୧୯୩୭ରେ ପ୍ରକାଶିତ ‘ହୋବିଟ’ ନାମକ ଶିଶୁ ଉପନ୍ୟାସ ତାଙ୍କୁ ଲେଖକଭାବେ ପ୍ରସିଦ୍ଧି ଆଣିଦେଇଥିଲା ।

 

‘ଦି ଲର୍ଡ ଅଫ ରିଙ୍ଗସ’ ପ୍ରକାଶନ କାଳରୁ ଲୋକପ୍ରିୟତା ହାସଲ କରିଚାଲିଛି । ଏହା ଅନ୍ୟୂନ ୩୮ ଗୋଟି ଭାଷାରେ ଅନୁବାଦିତ ହୋଇଥିବା ଜଣାଯାଏ । ‘ଫୋବର୍ସ’ ପତ୍ରିକା ପକ୍ଷରୁ ୨୦୧୦ରେ ଟେଲକିନଙ୍କୁ ପପ ଗାୟକ ମାଇକେଲ ଜାକସନ ଓ ଚଳଚ଼ିତ୍ର ଅଭିନେତା-ଗାୟକ ଏଲଭିସ ପ୍ରିଷ୍ଟଲେଙ୍କ ପରକୁ ତୃତୀୟ ସର୍ବାଧିକ ପରଲୋକଗତ ଆୟକାରୀ ଗଣମାଧ୍ୟମ ବ୍ୟକ୍ତିତ୍ୱ ଭାବେ ଚ଼ିହ୍ନଟ କରିଥିଲା । ‘ଦି ଲର୍ଡ ଅଫ ରିଙ୍ଗସ’ ଓ ‘ହୋବିଟ’କୁ ନେଇ ରେଡ଼ିଓ, ଟେଲିଭିଜନ, ଚଳଚ଼ିତ୍ର, ଚ଼ିତ୍ରାଙ୍କନ, ସଙ୍ଗୀତ ବିଭିନ୍ନ ମଞ୍ଚରେ ବ୍ୟାପକ ସୃଜନର ଇତିହାସ ରହିଛି । ‘ଦି ଲର୍ଡ ଅଫ ରିଙ୍ଗସ’ ଆଧାରରେ ୨୦୦୧ରେ ଏବଂ ‘ହୋବିଟ’ ଆଧାରରେ ୨୦୧୭ରେ ଦୁଇଗୋଟି ଚଳଚ଼ିତ୍ର ନିର୍ମିତ ହୋଇ ଆଲୋଡ଼ନ ସୃଷ୍ଟି କରିଥିଲା ।

 

‘ଦି ରିଙ୍ଗସ ଅଫ ପାୱାର’ ମାନବ ସଭ୍ୟତାର ଆଦିକାଳର କାହାଣୀ । ଏହା ସଂପୂର୍ଣ୍ଣ କାଳ୍ପନିକ ତଥା ରହସ୍ୟ-ରୋମାଞ୍ଚମୟ । ଉପନ୍ୟାସଟି ପ୍ରକାଶ ବେଳକୁ ଚଳଚ଼ିତ୍ର ଓ ପରେ ପରେ ଟେଲିଭିଜନ ମଞ୍ଚ ବିକଶିତ ହୋଇଥିଲେ ସୁଦ୍ଧା ଏକ ବିସ୍ତୃତ କାଳ୍ପନିକ ଉପତ୍ୟକାର ଚ଼ିତ୍ରାଙ୍କନ ସମ୍ଭବ ହୋଇପାରିନଥିଲା । ବିଶ୍ୱର ଦ୍ୱିତୀୟ ବିତ୍ତଶାଳୀ ଜେଫ ବେଜୋସଙ୍କ ଆମେଜନ ପ୍ରାଇମ ଶହେ କୋଟି ଆମେରେକୀୟ ଡ଼ଲାର ବ୍ୟୟରେ ଟେଲିଭିଜନ ସିରିଜ ପ୍ରଯୋଜନା କରିବାକୁ ଆଗଭର ହୋଇଥିଲା । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷ ବେଳକୁ ଆନିମେସନ କ୍ଷେତ୍ରରେ ଅଗ୍ରଗତି ଏହି ଭଳି ଏକ ଚଳଚ଼ିତ୍ର ନିର୍ମାଣରେ ଆବଶ୍ୟକୀୟ ଭିତ୍ତିଭୂମି ସଜାଡ଼ିବାରେ ସମର୍ଥ ହୋଇପାରିଥିଲା ।

 

ମହାମାରୀ କାଳରେ ପ୍ରଯୋଜିତ ଏହି ମେଗା ଧାରାବାହିକର ପ୍ରାୟ ୫୦ ଘଣ୍ଟା ଅବଧିର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇସାରିଥିବା ପ୍ରକାଶ । କାଳ୍ପନିକ ପରିବେଶ ପ୍ରସ୍ତୁତିରେ ପ୍ରଯୁକ୍ତି କୌଶଳ, କୃତ୍ରିମ ବୁଦ୍ଧିମତ୍ତା ଭଳି ଅତ୍ୟାଧୁନିକ ବିଭବ ସହାୟକ ହୋଇଛି । ମାନବ ସଭ୍ୟତା ବିକାଶର ପ୍ରାରମ୍ଭିକ ଅବସ୍ଥାରେ ପ୍ରକୃତିର ଆଧିପତ୍ୟ ସମ୍ୱଳିତ ଦୃଶ୍ୟାବଳୀ ଚ଼ିତ୍ରାଙ୍କନ ନିମନ୍ତେ ସୃଜନ ଓ ଆର୍ଥିକ ନିବେଶ ‘ଦି ରିଙ୍ଗସ ଅଫ ପାୱାର’ର ବିଶେଷତ୍ୱ । ଏହି ମେଗା ଧାରାବାହିକର ଅଧିକାଂଶ ସୁଟିଂ ନିଉଜଲାଣ୍ଡରେ ସମ୍ପନ୍ନ ହୋଇଛି ।

 

ବିଶ୍ୱବ୍ୟାପୀ ଚଳଚ଼ିତ୍ର ଶିଳ୍ପ ସଂକଟର ସମ୍ମୁଖୀନ ହୋଇଥିବା ସ୍ଥଳେ ଓଟିଟି ମଞ୍ଚରେ ପ୍ରଦର୍ଶିତ ମୌଳିକ ଚଳଚ଼ିତ୍ରଗୁଡ଼ିକର ଲୋକପ୍ରିୟତା କେତେକ ପ୍ରଶ୍ନ ଉପସ୍ଥାପନ କରିଥାଏ । ପ୍ରଥମତଃ, ଅତ୍ୟାଧୁନିକ କାରିଗରୀ କୌଶଳ ଉପଯୋଗରେ ଉଭୟ ଚଳଚ଼ିତ୍ର ଓ ଓଟିଟି ମଞ୍ଚରେ ବିଶ୍ୱବ୍ୟାପୀ ପ୍ରଦର୍ଶନ ସଂଭବପର ହୋଇପାରୁଛି । କିନ୍ତୁ ଦର୍ଶକ ପ୍ରେକ୍ଷାଳୟକୁ ନଯାଇ, ନିଜ ରୁଚି ଓ ସମୟସୁବିଧା ଅନୁଯାୟୀ ଓଟିଟି ମଞ୍ଚକୁ ବାଛି ନେଲାଣି କି ? ଦିନକରେ ଅଢେଇ ଶହ ରାଷ୍ଟ୍ରରେ ଅଢ଼େଇ କୋଟି ଦର୍ଶକ କିଛି କମ କଥା ନୁହ ।

 

ଦ୍ୱିତୀୟତଃ, ବିଚାର କରାଯାଉଥିଲା କାଳ୍ପନିକ ଦୃଶ୍ୟାବଳୀ ପ୍ରେକ୍ଷାଳୟର ରୂପେଲି ପରଦା ବ୍ୟତିରେକେ ଦର୍ଶକୀୟ ଅନୁଭବରେ ପଛୁଆ ପଡ଼ିବ । କିନ୍ତୁ ଅତ୍ୟାଧୁନିକ ଶକ୍ତି ସମ୍ପନ୍ନ ସ୍ମାର୍ଟଫୋନ ଓ ଲ୍ୟାପଟପ ପରଦା ତଥା ଶବ୍ଦ ପ୍ରତିଧ୍ୱନୀର ସୁବିଧା ସେହି ବିଚାରର ବିରୁଦ୍ଧାଚ଼ରଣ କରୁଛି କି ? ତୃତୀୟତଃ, ଓଟିଟି ମଞ୍ଚ ପ୍ରତି ଆନୁଗତ୍ୟ ସହରାଞ୍ଚଳର ଉଚ୍ଚ ଶିକ୍ଷିତ ଆଧୁନିକ ସାଜସରଞ୍ଜାମ ବ୍ୟବହାରକାରୀ ସମ୍ପ୍ରଦାୟରେ ସୀମିତ ରହିବା ଅନୁମାନ ଭୂଲ ପ୍ରମାଣ ହେଲାଣି କି ?

 

ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ‘ଦି ରିଙ୍ଗସ ଅଫ ପାୱାର’ ଶୁଭମୁକ୍ତି ଦିବସର ମୋଟ ଦର୍ଶକ ସଂଖ୍ୟାରେ ୧୨ ପ୍ରତିଶତ ଭାରତୀୟ ଅନ୍ତର୍ଭୁକ୍ତ । ଆମ ଦେଶର ‘ଓରମାକ୍ସ ମିଡ଼ିଆ’ର ହିସାବରେ ଏଠାକାର ୩୦ ଲକ୍ଷ ଓଟିଟି ଉପଭୋକ୍ତା ମେଗା ଧାରାବାହିକର ଦର୍ଶକ ଗୋଷ୍ଠୀରେ ସାମିଲ ହୋଇଥିଲେ । ଆନ୍ତର୍ଜାତିକସ୍ତରରେ ଭାରତର ଓଟିଟି ବଜାର ଚ଼ତୁର୍ଥ ସ୍ଥାନ ଅଧିକାର କଲାଣି । ୨୦୨୨ ମଧ୍ୟଭାଗ ସୁଦ୍ଧା ଓଟିଟି ମଞ୍ଚରେ ଦେଶର ୧୦ କୋଟି ଦର୍ଶକ ଗ୍ରାହକ ଶ୍ରେଣୀଭୁକ୍ତ ଥିବା ସ୍ଥଳେ ବର୍ଷ ଶେଷରେ ୧୨ କୋଟି ୨୦ ଲକ୍ଷକୁ ବୃଦ୍ଧି ପାଇବା ଆକଳନ କରାଯାଇଥିଲା ।

 

‘ଦି ରିଙ୍ଗସ ଅଫ ପାୱାର’ତୁଲ୍ୟ କେତେକ ମେଗା ଧାରାବାହିକ ଓଟିଟି ମଞ୍ଚରେ ଲୋକପ୍ରିୟତା ହାସଲ କରିଥିବା ତଥ୍ୟ ଉପଲବ୍ଧ । ‘ନେଟଫ୍ଳିକ୍ସ’ ପକ୍ଷରୁ ‘ଷ୍ଟ୍ରେଞ୍ଜ ଥିଙ୍ଗସ’ ଓ ୱେର୍ନର ବ୍ରଦର୍ସ – ଡିସକଭରି କମ୍ପାନୀ ପକ୍ଷରୁ ‘ହାଉସ ଅଫ ଦି ଡ୍ରାଗନ’କୁ ଉଦାହରଣଭାବେ ଗ୍ରହଣ କରାଯାଇପାରେ । ‘ହେଚବିଓ’ ପ୍ରଯୋଜିତ ମଧ୍ୟଯୁଗୀୟ କାହାଣୀ ‘ଗେମ ଅଫ ଥ୍ରୋନ୍ସ’ ୨୦୧୧ରୁ ୨୦୧୯ ଯାଏଁ ଆଠବର୍ଷ ଧରି ପ୍ରଦର୍ଶିତ ହୋଇଥିଲା । ସହରାଞ୍ଚଳ ଭଳି ଭାରତର ଗ୍ରାମାଞ୍ଚଳରେ ମଧ୍ୟ ଓଟିଟି ମଞ୍ଚର ଗ୍ରାହକ ଓ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

 

ହଲିଉଡ଼ ଚଳଚ଼ିତ୍ର ବଲିଉଡ଼ କିମ୍ୱା ଆଞ୍ଚଳିକ ଚଳଚ଼ିତ୍ରର ସମକକ୍ଷ ହୋଇପାରି ନଥିଲା । କିନ୍ତୁ ଓଟିଟି ମଞ୍ଚରେ ଆନ୍ତର୍ଜାତିକସ୍ତରରେ ପ୍ରଦର୍ଶିତ ମେଗା ଧାରାବାହିକଗୁଡ଼ିକ ସ୍ଥାନୀୟ ଦର୍ଶକଙ୍କୁ ବିମୋହିତ କରୁଥିବା ଉଦାହରଣ ଭାରତୀୟ ଚଳଚ଼ିତ୍ର ପ୍ରତି ସତର୍କ ଘଣ୍ଟି ବିଚାର କରାଯାଇପାରେ । ଏକ ପକ୍ଷରେ ବଲିଉଡ଼ ହେଉ ବା ଓଲିଉଡ଼, ଓଟିଟିକୁ ସାବତ-ମା ଦୃଷ୍ଟିରେ ବିଚାର କରୁଥିବା ହେତୁ ମୂଳରୁ ଓଟିଟି ମଞ୍ଚରେ ଆମେ ଦୁର୍ବଳ ହୋଇପଡୁଛୁ କି ? କ’ଣ ହେବା ଉଚ଼ିତ ମାନସିକତା ପରିବର୍ତ୍ତନ କରି ପ୍ରଚଳିତ ଧାରାରେ ଆମେ ନିଜକୁ କେମିତି ପ୍ରତିଷ୍ଠିତ କରିପାରିବା ସେଥିପ୍ରତି ଅନ୍ତତଃ ମନୋରଞ୍ଜନ କ୍ଷେତ୍ରରେ ଯତ୍ନବାନ ହେବା ସମୟ ଉପନୀତ । ଅପରପକ୍ଷରେ ସାତ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଦି ରିଙ୍ଗସ ଅପ ପାୱାର’କୁ ଓଟିଟି ମଞ୍ଚରେ ମୁକାବିଲା କରିବା ନିମନ୍ତେ ନବ-ସୃଜନ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଏପରି ତ ଜଣା ଗଲାଣି ପରିବର୍ତ୍ତିତ ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ଆଞ୍ଚଳିକ ଗଣମାଧ୍ୟମ ଗଭୀର ଆଞ୍ଚଳିକତାଧର୍ମୀ ଆଭିମୁଖ୍ୟ ଗ୍ରହଣନକରିପାରିଲେ ତିଷ୍ଟି ରହିବା ଅସଂଭବ ।

 

‘ଦି ରିଙ୍ଗସ ଅଫ ପାୱାର’ ସଂପର୍କରେ ଭିଡ଼ିଓ ଦେଖନ୍ତୁ :

 

The Rings of Power Explained: The Peoples of Middle-earth | Lord of the Rings Lore (w/ Matt Caron)

 

https://www.youtube.com/watch?v=_Ep-S8ifoMk

The Rings of Power Explained: The Second Age Timeline | Lord of the Rings Lore (w/ Matt Caron)

 

https://www.youtube.com/watch?v=v1BkHxaC308     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ସେପ୍ଟେମ୍ୱର ୨୦୨୨


ତଥ୍ୟ:

 

Amazon’s ‘Rings of Power’ draws 25 million on debut. Business Standard (Bhubaneswar Edition). September 05, 2022

 

Pinto, Veveat Susan. Rigs of Power : India lords over with 12% of global viewership. Business Standard (Bhubaneswar Edition) September 07, 2022

 

Bandyopadhyay, Agnideb. Rumblings from Middle Earth. T2 on Sunday. The Telegraph (Kolkata Edition). September 04, 2022

ଟେଲିଭିଜନ ବନାମ ଓଟିଟି ମଞ୍ଚ

ଗଣମାଧ୍ୟମ ପରିଧିରେ ଟେଲିଭିଜନର ମୁଖ୍ୟ ପ୍ରତିଦ୍ୱନ୍ଦୀଭାବେ ଓଭର-ଦି-ଟପ ଓଟିଟି ମଞ୍ଚ ମୁଣ୍ଡ ଟେକୁଥିବା ସାଧାରଣରେ ବିଶ୍ୱାସ କରାଯାଏ । ବିଶେଷତଃ, ମହାମାରୀଜନିତ ଜନପଦ ବନ୍ଦ ‘ଲକଡ଼ାଉନ’ ଅବସରରେ ଓଟିଟି ମଞ୍ଚଗୁଡ଼ିକରେ ଦର୍ଶକ ସଂଖ୍ୟା ବୃଦ୍ଧି କାରଣରୁ ଓଟିଟି ମଞ୍ଚ ଆୟ ମଧ୍ୟ ବୃଦ୍ଧି ପାଇଥିବା ଅନୁମାନ ଯୁକ୍ତିଯୁକ୍ତ । ତେବେ ୨୦୨୦ ଜାନୁୟାରୀରୁ ଜୁନ ଛଅମାସର ବ୍ୟାବସାୟିକ ବିଶ୍ଳେଷଣରେ ସାଧାରଣରେ ଆକଳନ କରାଯାଉଥିବା ହିସାବରେ ଅନେକ କ୍ଷେତ୍ରରେ ବିପରୀତ ଚ଼ିତ୍ର ଦେଖିବାକୁ ମିଳେ ।


 

ପ୍ରଥମତଃ, ଭାରତରେ ଟେଲିଭିଜନ ୨୦୨୦ ମଧ୍ୟଭାଗ ସୁଦ୍ଧା ସର୍ବାଧିକ ପ୍ରଭାବଶାଳୀ ମଞ୍ଚର ମାନ୍ୟତା ଦାବୀ କରେ । ପ୍ରାୟ ୧୯ କୋଟି ୭୦ ଲକ୍ଷ ପରିବାରରେ ଟେଲିଭିଜନ ସେଟ ଉପଲବ୍ଧ ଥିବା ସ୍ଥଳେ ଦର୍ଶକ ସଂଖ୍ୟା ୮୩ କୋଟି ୬୦ ଲକ୍ଷ ଯାଏଁ ବ୍ୟାପ୍ତ । ଟେଲିଭିଜନ ପ୍ରସାରଣ ବାର୍ଷିକ ୭୯ ହଜାର କୋଟି ଟଙ୍କା ବ୍ୟବସାୟ କରିଥାଏ ।


 

‘ଡ଼ିସନି ଷ୍ଟାର’, ‘ଜୀ’, ‘ଭାୟାକମ ୧୮’, ‘ସନ’ ଓ ‘ସୋନି’ ଦେଶର ପାଞ୍ଚଗୋଟି ମୁଖ୍ୟ ଟେଲିଭିଜନ ମଞ୍ଚ । ଏହି ମଞ୍ଚ ଗୁଡ଼ିକରେ ମୋଟ ଦର୍ଶକଙ୍କ ମଧ୍ୟରୁ ପ୍ରାୟ ୬୩ ପ୍ରତିଶତ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତି ଏବଂ ବ୍ୟାବସାୟିକ ରାଜସ୍ୱର ଅର୍ଦ୍ଧାଧିକ ସେମାନଙ୍କ ଭାଗକୁ ଯାଇଥାଏ । ‘ଡ଼ିସନି ଷ୍ଟାର’ର ବାର୍ଷିକ ରାଜସ୍ୱ ପ୍ରାୟ ୧୮ ହଜାର କୋଟି ଟଙ୍କା ହିସାବ କରାଯାଏ । ଅପରପକ୍ଷେ ଭାରତରେ ଓଟିଟି ମଞ୍ଚଗୁଡ଼ିକର ବ୍ୟବସାୟ ମାତ୍ର ଆଠ ହଜାର କୋଟି ଟଙ୍କାରେ ସୀମିତ । ‘ୟୁଟ୍ୟୁବ’ର ରାଜସ୍ୱ ତିନି ହଜାର କୋଟି ହିସାବ କରାଯାଉଥିବା ସ୍ଥଳେ ‘ଆମେଜନ ପ୍ରାଇମ ଭିଡ଼ିଓ’ ୧,୫୦୦ କୋଟି, ‘ଡ଼ିସନି ହଟଷ୍ଟାର’ ୧,୧୧୩ କୋଟି ଓ ‘ନେଟଫ୍ଲିକ୍ସ’ ୭୫୦ କୋଟି ଟଙ୍କା ରାଜସ୍ୱ ଆଦାୟ କରିଥାନ୍ତି । ଅତଏବ ଓଟିଟି ମଞ୍ଚଗୁଡ଼ିକର ଆୟଠାରୁ ଟେଲିଭିଜନର ଆୟ ପ୍ରାୟ ଦଶ ଗୁଣ ଅଧିକା ଏବଂ ଅପେକ୍ଷାକୃତ ଲାଭଜନକ ପ୍ରମାଣିତ ।


 

ଦ୍ୱିତୀୟତଃ, ଲକଡାଉନ ସମୟସୀମାରେ ଓଟିଟି ମଞ୍ଚଗୁଡ଼ିକର ଆୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟି ନାହିଁ । ଦର୍ଶକ ସଂଖ୍ୟା ହିସାବରେ ୨୦୧୯ ଡ଼ିସେମ୍ୱର ସୁଦ୍ଧା ଓଟିଟି ମଞ୍ଚରେ ୩୯ କୋଟି ୫୦ ଲକ୍ଷ ଦର୍ଶକ ଉପସ୍ଥିତ ଥିବା ସ୍ଥଳେ ୨୦୨୦ ଜୁନରେ ମଧ୍ୟ ଦର୍ଶକ ସଂଖ୍ୟା ସେତିକିରେ ଅଟକିଛି । ଅବଶ୍ୟ ଲକଡ଼ାଉନ ଅବଧିରେ ପ୍ରାୟ ଦୁଇ କୋଟି ୧୦ ଲକ୍ଷ ଅଧିକ ଦର୍ଶକ ଓଟିଟି ମଞ୍ଚ ଗୁଡ଼ିକର ଗ୍ରାହକଶ୍ରେଣୀଭୁକ୍ତ ହୋଇଛନ୍ତି । ଲକଡ଼ାଉନ ପୂର୍ବରୁ ଓଟିଟି ଗ୍ରାହକ ସଂଖ୍ୟା ଏକ କୋଟି ଥିବା ସ୍ଥଳେ ୨୦୨୦ ଜୁନ ଶେଷରେ ତିନି କୋଟି ୧୦ ଲକ୍ଷରେ ପହଞ୍ଚିଛି ।


 

‘ମିଡ଼ିଆ ପାର୍ଟନର୍ସ ଏସିଆ’ର ହିସାବ ଅନୁଯାୟୀ ଭାରତରେ ଓଟିଟି ମଞ୍ଚ ରାଜସ୍ୱ ଅଭିବୃଦ୍ଧି ହାର ଅତୀତରେ ୩୦ ରୁ ୪୦ ପ୍ରତିଶତ ରହି ଆସିଥିବା ସ୍ଥଳେ ୨୦୨୦ରେ ୯ ପ୍ରତିଶତରେ ସୀମିତ ରହିବ । ମହାମାରୀରେ ବ୍ୟାବସାୟିକ ମାନ୍ଦାବସ୍ଥା କାରଣରୁ ସାମଗ୍ରୀକଭାବେ ଗଣମାଧ୍ୟମରେ ବିଜ୍ଞାପନ ବ୍ୟୟ ପ୍ରଭାବିତ ହୋଇଥିବା ସ୍ଥଳେ ଓଟିଟି ମଞ୍ଚଗୁଡ଼ିକ ମଧ୍ୟ ପ୍ରଭୂତ ପରିମାଣରେ ବିଜ୍ଞାପନ ପ୍ରଦର୍ଶନ ହରାଇବାକୁ ବାଧ୍ୟ ହୋଇଛି ଏବଂ ସେହି କାରଣରୁ ରାଜସ୍ୱହାନୀ ଘଟିବା ସ୍ୱାଭାବିକ ।


 

ଓଟିଟି ମଞ୍ଚରେ ‘ୟୁଟ୍ୟୁବ’ ସର୍ବପ୍ରଥମେ ୨୦୦୮ରେ ଭାରତରେ ପ୍ରସାରଣ ଆରମ୍ଭ କରିଥିଲା । ୨୦୨୦ ଜୁନ ମାସ ସୁଦ୍ଧା ‘ୟୁଟ୍ୟୁବ’ ସର୍ବାଧିକ ୩୮ କୋଟି ୮୦ ଲକ୍ଷ ଦର୍ଶକ ଅକ୍ତିଆର କରିଥିବା ସ୍ଥଳେ ତାପରକୁ ‘ଟାଇମ୍ସ ଅଫ ଇଣ୍ଡିଆ’ ସମ୍ୱାଦପତ୍ର ପ୍ରକାଶକ ‘ଟାଇମ୍ସ ଗୃପ’ର ‘ଏମଏକ୍ସ ପ୍ଲେୟାର’ ୧୪ କୋଟି ୮୦ ଲକ୍ଷ ଏବଂ ‘ଡ଼ିସନି + ହଟଷ୍ଟାର’ ୭ କୋଟି ୪୦ ଲକ୍ଷ ମାସିକ ଦର୍ଶକ ହିସାବ କରାଯାଏ ।


 

ଭାରତରେ ସମୁଦାୟ ଓଟିଟି ମଞ୍ଚ ଦର୍ଶକ ସଂଖ୍ୟାର ୯୮ ପ୍ରତିଶତ ‘ୟୁଟ୍ୟୁବ’ ଉପଭୋକ୍ତା । ଓଟିଟି ମଞ୍ଚ ଲୋକପ୍ରିୟତା ତାଲିକାରେ ‘ୟୁଟ୍ୟୁବ’, ‘ଏମଏକ୍ସ ପ୍ଲେୟାର’ ଓ ‘ଡ଼ିସନି + ହଟଷ୍ଟାର’ ପରକୁ ‘ଆମେଜନ ପ୍ରାଇମ ଭିଡ଼ିଓ’, ‘ଜୀ ୫’, ‘ନେଟଫ୍ଲିକ୍ସ’, ‘ସୋନି ଲିଭ’, ‘ଭୂତ’ ଓ ‘ଆଲଟି ବାଲାଜୀ’ର ସ୍ଥାନ । ୨୦୨୦ ଜୁନ ସୁଦ୍ଧା ଦେଶରେ ପ୍ରାୟ ୬୦ ଗୋଟି ଓଟିଟି ମଞ୍ଚ କାର୍ଯ୍ୟକ୍ଷମ । ୨୦୧୫ ବେଳକୁ ଉପଲବ୍ଧ ମାତ୍ର ୧୫ ଗୋଟି ଓଟିଟି ମଞ୍ଚର ଚାରିଗୁଣ ବୃଦ୍ଧି ତଥା ଆଞ୍ଚଳିକ ଭାଷାଗୁଡ଼ିକରେ ପ୍ରବେଶ ଭବିଷ୍ୟତ ଅଗ୍ରଗତିର ସୂଚ଼ନା ଦେଉଥିଲେହେଁ ମହାମାରୀ-ପର ପରିବେଶରେ ବିଜ୍ଞାପନ ଆୟ ହାନୀ କାରଣରୁ କେତେକ ଓଟିଟି ମଞ୍ଚ ପରସ୍ପର ମଧ୍ୟରେ ମିଶ୍ରଣ ‘କନସଲିଡ଼େଟ’ ହେବା ଆଶଙ୍କା ଦେଖାଦେଇଥାଏ ।


 

ତୃତୀୟତଃ, ଟେଲିଭିଜନ ତୁଳନାରେ ଗୁଣାତ୍ମକ କାର୍ଯ୍ୟକ୍ରମ ପ୍ରଯୋଜନା ନିମନ୍ତେ ଓଟିଟି ମଞ୍ଚ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦୃଷ୍ଟିକୁ ଆସିଥାଏ । ମୌଳିକ କାର୍ଯ୍ୟକ୍ରମ ‘ଓରିଜିନାଲସ’ ପ୍ରସ୍ତୁତି ବାବଦରେ ଓଟିଟି ମଞ୍ଚଗୁଡ଼ିକ ପକ୍ଷରୁ ୨୦୧୭ରେ ୧,୬୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସ୍ଥଳେ ‘ମିଡ଼ିଆ ପାର୍ଟନର୍ସ ଏସିଆ’ର ହିସାବରେ ୨୦୧୯ରେ ଦୁଇ ଗୁଣ ପ୍ରାୟ ୪,୩୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଟେଲିଭିଜନ ଦର୍ଶକମାନଙ୍କୁ ଓଟିଟି ମଞ୍ଚ ମୁହାଁ କରିବାରେ ଏଭଳି ବିପୁଳ ନିବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବିଶ୍ୱାସ କରାଯାଏ ।


 

ଭାରତରେ ଟେଲିଭିଜନ ଚ୍ୟାନେଲଗୁଡ଼ିକ ପ୍ରାୟ ଏକ ରକମ କାର୍ଯ୍ୟକ୍ରମ ପ୍ରଯୋଜନାରେ ସଂପୃକ୍ତ ରହୁଥିବା, ବିବିଧତା ପ୍ରତି ଅଣଦେଖା କରୁଥିବା ତଥା ସ୍ୱତନ୍ତ୍ର ଶ୍ରେଣୀର ଦର୍ଶକଙ୍କ ରୁଚ଼ି ଉପଯୋଗୀ ହୋଇପାରୁନଥିବା ସ୍ଥଳେ ଓଟିଟି ମଞ୍ଚଗୁଡ଼ିକ ମୌଳିକତା ଓ ସ୍ୱତନ୍ତ୍ରତା ପ୍ରତି ଗୁରୁତ୍ୱ ଆରୋପ କରି ଦର୍ଶକୀୟ ସ୍ୱୀକୃତି ହାସଲ ନିମନ୍ତେ ଉଦ୍ୟମ କରୁଥିବା ଲକ୍ଷ୍ୟ କରାଯାଏ ।


 

ଚତୁର୍ଥତଃ, ଇଣ୍ଟରନେଟ ସଂଯୁକ୍ତି ଓ ସ୍ମାର୍ଟଫୋନ ସହ ସ୍ମାର୍ଟ ଟେଲିଭିଜନ ବ୍ୟବହାର ବୃଦ୍ଧି ଓଟିଟି ମଞ୍ଚ ପ୍ରସାର ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରୁଛି । ଭାରତରେ ୨୦୨୦ ଜୁନ ସୁଦ୍ଧା ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୬୬ କୋଟି ୨୦ ଲକ୍ଷକୁ ବୃଦ୍ଧି ପାଇଥିବା ବେଳେ ସ୍ମାର୍ଟ ଟେଲିଭିଜନ ଉପଭୋକ୍ତାଙ୍କ ସଂଖ୍ୟା ଦୁଇ କୋଟିରେ ପହଞ୍ଚିଛି । ଲକଡ଼ାଉନ ଅବଧିରେ ଅଧିକାଂଶ ଟେଲିଭିଜନ ଚ୍ୟାନେଲରେ ନୂଆ କାର୍ଯ୍ୟକ୍ରମ ପ୍ରଦର୍ଶିତ ନ ହୋଇପାରୁଥିବା ଅବସରରେ ସ୍ମାର୍ଟ ଟେଲିଭିଜନ ଉପଭୋକ୍ତାମାନେ ଓଟିଟି ମଞ୍ଚର କାର୍ଯ୍ୟକ୍ରମ ଟେଲିଭିଜନ ପରଦାରେ ଦେଖିବା ଆରମ୍ଭ କରିଥିଲେ । କ୍ରମଶଃ ତାହା ଅଭ୍ୟାସରେ ପରିଣତ ହେଉଥିବା ବନିତା କୋହଲି ଖଣ୍ଡେକରଙ୍କ ଭଳି ବିଶ୍ଳେଷକମାନେ ମତ ପ୍ରକାଶ କରିଥାନ୍ତି ।


 

ପଞ୍ଚମତଃ, ଭାରତୀୟ ଗଣମାଧ୍ୟମରେ ମୁଦ୍ରଣ, ଟେଲିଭିଜନ, ରେଡ଼ିଓ ଓ ୱେବପୋର୍ଟାଲ ସହ ଓଟିଟି ମଞ୍ଚ ମଧ୍ୟ ବିଜ୍ଞାପନ ଆଶ୍ରିତ ମଡ଼େଲରେ ବିକଶିତ ହୋଇଥିବା ହେତୁ ମହାମାରୀ ଅବସରରେ ବ୍ୟବସାୟଜନିତ ମାନ୍ଦାବସ୍ଥାରେ ବିଜ୍ଞାପନ ବ୍ୟୟ କମି ଆସିଥିବା ସ୍ଥଳେ ଓଟିଟି ମଞ୍ଚର ପ୍ରଗତି ମଧ୍ୟ ବାଧାପ୍ରାପ୍ତ ହୋଇଛି । ଓଟିଟି ମଞ୍ଚ ନିମନ୍ତେ ଗ୍ରାହକଚାନ୍ଦା-ଆଶ୍ରିତ ମଡ଼େଲର ଭରପୁର ସୁଯୋଗ ରହିଥିଲେ ହେଁ ପ୍ରାଥମିକ ଅବସ୍ଥାରେ ଅଧିକ ଦର୍ଶକ ସୃଷ୍ଟି ନିମନ୍ତେ ବିଜ୍ଞାପନ-ଆଶ୍ରିତ ହୋଇପଡ଼ିବା ପରବର୍ତ୍ତୀ ପର୍ଯ୍ୟାୟରେ ଅଗ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରିଛି । ବ୍ୟାବସାୟିକ ମାନ୍ଦାବସ୍ଥା ଓ ତତ୍ ଜନିତ ବିଜ୍ଞାପନ ବ୍ୟୟ ହ୍ରାସ ଦୀର୍ଘଦିନ ଧରି ବଳବତ୍ତର ରହିବା ଆକଳନ କରାଯାଉଥିବା ସ୍ଥଳେ ଓଟିଟି ମଞ୍ଚକୁ ଗ୍ରାହକ ସଂଖ୍ୟା ବୃଦ୍ଧିର ପରିମାଣକୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ପଡ଼ିବ ।

 

ଟେଲିଭିଜନ ଓ ଓଟିଟି ଦୁଇ ପୃଥକ ମଞ୍ଚ ବିବେଚ଼ିତ ହେଉଥିଲେ ହେଁ ଭାରତରେ ପରସ୍ପର ଉପରେ ଅଧିକ ନିର୍ଭରଶୀଳଥିବା ପ୍ରମାଣିତ । ଏକ ପକ୍ଷରେ ଏଠାରେ ବହୁ ସଂଖ୍ୟକ ଓଟିଟି ମଞ୍ଚ ମୁଖ୍ୟତଃ ଟେଲିଭିଜନ ସଂସ୍ଥାଗୁଡ଼ିକ ଦ୍ୱାରା ବିକଶିତ ଏବଂ ଅପରପକ୍ଷରେ ଓଟିଟି ମଞ୍ଚରେ ବ୍ୟାପକ ପରିମାଣରେ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥାଏ । ସ୍ମାର୍ଟଫୋନ, କମ୍ପ୍ୟୁଟର ଓ ଟେଲିଭିଜନ ପରଦାରେ ‘ଭିଡ଼ିଓ-ଅନ-ଡ଼ିମାଣ୍ଡ’ ଅର୍ଥାତ ପୂର୍ବ ପ୍ରସାରିତ କାର୍ଯ୍ୟକ୍ରମ ପୁନଃପ୍ରଦର୍ଶନ ନିମନ୍ତେ ଦର୍ଶକମାନଙ୍କ ଦ୍ୱାରା ଓଟିଟି ମଞ୍ଚଗୁଡ଼ିକ ବ୍ୟାପକ ମାତ୍ରାରେ ବ୍ୟବହୃତ ହେଉଥିବା ହେତୁ ନିକଟ ଭବିଷ୍ୟତରେ ଓଟିଟି ଓ ଟେଲିଭିଜନ ମଧ୍ୟରେ ନୂତନ ସମୀକରଣ ଆଶା କରାଯାଇପାରେ ।    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୫ ସେପ୍ଟେମ୍ୱର ୨୦୨୦


ତଥ୍ୟ:



Kohli–Khandekar. Vanita. Overcrowding in OTT. Business Standard (Bhubaneswar Edition). September 22, 2020. 

ଟେଲିଭିଜନ ବନାମ ଓଟିଟି ମଞ୍ଚ

ବିଶ୍ୱବ୍ୟାପୀ ଲୋକପ୍ରିୟ ଭିଡ଼ିଓ ସେଆରିଂ ଆପ୍ଲିକେସନ ‘ଆପ’ଗୁଡ଼ିକ କ୍ରମଶଃ ସମ୍ୱାଦ ପ୍ରସାରଣର ନୂତନ ମଞ୍ଚ ରୂପେ ବିକଶିତ ହୋଇଚାଲିଥିବା ଧାରା ଗଣମାଧ୍ୟମ ପରିଧିରେ ଏକ ନୂତନ ସମୀକରଣ ସୃଷ୍ଟି କରିବ । ଯୁକ୍ତରାଷ୍ଟ୍ର ଆମେରିକାରେ ୟୁଟ୍ୟୁବ ମଞ୍ଚରେ ୨୬ ପ୍ରତିଶତ ଯାଏଁ ସେଠାକାର ପ୍ରାପ୍ତବୟସ୍କ ନାଗରିକ ସମ୍ୱାଦ ଆହରଣ କରୁଥିବା ତଥ୍ୟ ଅନେକଙ୍କୁ ବିସ୍ମିତ କରିଥାଏ । ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ୟୁଟ୍ୟୁବ ଆଧିପତ୍ୟ ଜାହିର କରିଥିବା ସ୍ଥଳେ ଚ଼ୀନ ଭଳି କେତେକ ରାଷ୍ଟ୍ରରେ ବିକଳ୍ପ ଭିଡ଼ିଓ ମଞ୍ଚ ବ୍ୟବହୃତ । ଅଭିବ୍ୟକ୍ତିରେ ସ୍ୱାଧୀନତା ଉପଭୋଗ କରୁଥିବା ରାଷ୍ଟ୍ରଗୁଡ଼ିକରେ ଆପାତତଃ ସମ୍ୱାଦ ପ୍ରସାରଣରେ ଭିଡ଼ିଓ ମଞ୍ଚ ଉପଯୋଗରେ ଆଗୁଆ ରହୁଥିବା ପରିଲକ୍ଷିତ ।


 

ମାର୍କିନ ସ୍ୱାଧୀନ ଗବେଷଣା ପ୍ରତିଷ୍ଠାନ ‘ପିଉ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ମହାମାରୀର ଠିକ ପୂର୍ବରୁ ୨୦୨୦ ଜାନୁୟାରୀ ୬ ରୁ ୨୦ ତାରିଖ ମଧ୍ୟରେ ୧୨,୬୩୮ ଜଣ ପ୍ରାପ୍ତବୟସ୍କ ନାଗରିକଙ୍କ ଗହଣରେ ସେମାନଙ୍କ ଭିଡ଼ିଓ ମଞ୍ଚ ବ୍ୟବହାର ସଂପର୍କରେ ଆୟୋଜିତ ସର୍ବେକ୍ଷଣ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅବତାରଣା କରିଥିଲା ।  ପ୍ରଥମତଃ, ଭିଡ଼ିଓ ମଞ୍ଚରେ ଉପଭୋକ୍ତାଙ୍କ ସଂଖ୍ୟା ବଢ଼ି ଚାଲିଛି । ସର୍ଚ୍ଚଇଞ୍ଜିନରେ ଯେକୌଣସି ବିଷୟରେ ତଥ୍ୟ ଖୋଜିବା ଭଳି ଜନସାଧାରଣ ଭିଡ଼ିଓ ସେଆରିଂ ପ୍ଲାଟଫର୍ମରେ ସମ୍ୱାଦଧର୍ମୀ ଭିଡ଼ିଓ ଖୋଜୁଛନ୍ତି ।


 

ଦ୍ୱିତୀୟତଃ, ଜନସାଧାରଣଙ୍କ ମଧ୍ୟରୁ ଏକଚ଼ତୁର୍ଥାଂଶ ୟୁଟ୍ୟୁବରେ ସମ୍ୱାଦ ଆହରଣ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତ ଏହାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ସ୍ଥଳେ ୫୯ ପ୍ରତିଶତ ଅନ୍ୟାନ୍ୟ ମଞ୍ଚ ସହ ସମ୍ୱାଦ ଆହରଣ ନିମନ୍ତେ ଗ୍ରହଣ କରିଥାନ୍ତି । ଅର୍ଥାତ ୟୁଟ୍ୟୁବ ସ୍ୱଳ୍ପ ସଂଖ୍ୟକଙ୍କ ମଧ୍ୟରେ ପ୍ରମୁଖ ସମ୍ୱାଦ ମଞ୍ଚର ମାନ୍ୟତା ପାଇ ସାରିଥିବା ସ୍ଥଳେ ଅର୍ଦ୍ଧାଧିକଙ୍କ ବିଶ୍ୱାସଭାଜନ ହୋଇପାରିଛି ।


 

ତୃତୀୟତଃ, ଯୁକ୍ତରାଷ୍ଟ୍ର ଆମେରିକା ପୃଷ୍ଠଭୂମିରେ ୟୁଟ୍ୟୁବରେ ପ୍ରତିଷ୍ଠିତ ସମ୍ୱାଦପତ୍ର, ଟେଲିଭିଜନ ଓ ଅନଲାଇନ ମଞ୍ଚଦ୍ୱାରା ପ୍ରସ୍ତୁତ ସମ୍ୱାଦ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ୱାଧୀନ ସାମ୍ୱାଦିକଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାୟ ସମପରିମାଣର କାର୍ଯ୍ୟକ୍ରମ ଉପଲବ୍ଧ । ଡ଼ିସେମ୍ୱର ୨୦୧୯ରେ ୟୁଟ୍ୟୁବରେ ପ୍ରଦର୍ଶିତ ସମ୍ୱାଦ କାର୍ଯ୍ୟକ୍ରମ ମଧ୍ୟରେ ୪୯ ପ୍ରତିଶତ ପ୍ରତିଷ୍ଠିତ ସମ୍ୱାଦ ସଂସ୍ଥାର କାର୍ଯ୍ୟକ୍ରମ ସାଙ୍ଗକୁ ୪୨ ପ୍ରତିଶତ ସ୍ୱାଧୀନ ସାମ୍ୱାଦିକଙ୍କ କାର୍ଯ୍ୟକ୍ରମ ଓ ୯ ପ୍ରତିଶତ ଅନ୍ୟାନ୍ୟ ସୂତ୍ରରୁ ପ୍ରସ୍ତୁତ କାର୍ଯ୍ୟକ୍ରମ ଗଣତି କରାଯାଇଥିଲା । ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ ମାର୍କିନ ଭିଡ଼ିଓ ସମ୍ୱାଦ ଉପତ୍ୟକାରେ ମୂଳସ୍ରୋତ ମଞ୍ଚଗୁଡ଼ିକର ଏକଚାଟିଆ ଆଧିପତ୍ୟ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।


 

ଚତୁର୍ଥତଃ, ଆଙ୍ଗିକ ଦୃଷ୍ଟିରୁ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକର ଭିଡ଼ିଓ ସଂକ୍ଷିପ୍ତ ଏବଂ ପ୍ରାୟ ପାଞ୍ଚ ମିନଟ ମଧ୍ୟରେ ସୀମିତ ରହୁଥିବା ସ୍ଥଳେ ସ୍ୱାଧୀନ ସାମ୍ୱାଦିକମାନଙ୍କ ଭିଡ଼ିଓଗୁଡ଼ିକ ଅପେକ୍ଷାକୃତ ଦୀର୍ଘ ଏବଂ ପ୍ରାୟ ୧୨ ମିନଟ ଯାଏଁ ସଂପ୍ରସାରିତ । ସ୍ୱାଧୀନ ସାମ୍ୱାଦିକମାନଙ୍କ ଦ୍ୱାରା ପ୍ରସ୍ତୁତ ଭିଡ଼ିଓଗୁଡ଼ିକର ବିଷୟବସ୍ତୁ ଅଧିକ ସଂଖ୍ୟାରେ ନକାରାତ୍ମକ । ଅନୁଧ୍ୟାନରୁ ସ୍ୱାଧୀନ ସାମ୍ୱାଦିକଙ୍କ ଦ୍ୱାରା ପ୍ରସ୍ତୁତ ୩୭ ପ୍ରତିଶତ ଭିଡ଼ିଓ ସମ୍ୱାଦ ନକାରାତ୍ମକ ଥିବା ସ୍ଥଳେ ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ପ୍ରସ୍ତୁତ ସମ୍ୱାଦ ଭିଡ଼ିଓ ମଧ୍ୟରେ ୧୭ ପ୍ରତିଶତ ନକାରାତ୍ମକ ଥିବା ଜଣାଯାଏ ।


 

ସେହିପରି ସର୍ବେକ୍ଷଣରେ ଡ଼ିସେମ୍ୱର ୨୦୧୯ରେ ପ୍ରସାରିତ ତିନି ହଜାର ଭିଡ଼ିଓ ମଧ୍ୟରେ ତୁଳନାତ୍ମକ ଭାବେ ଅଧିକ ପ୍ରସାରିତ ୧୦୦ ଗୋଟି ସମ୍ୱାଦ ଭିଡ଼ିଓ ଅନୁଶୀଳନରୁ ସ୍ୱାଧୀନ ସାମ୍ୱାଦିକମାନଙ୍କ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ମଧ୍ୟରେ ୧୪ ପ୍ରତିଶତ ଅଭିସନ୍ଧିଭିତ୍ତିକ ‘କନସିପେରସି ଥିଓରିସ’ ଥିବା ସ୍ଥଳେ ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ମଧ୍ୟରେ ମାତ୍ର ୪ ପ୍ରତିଶତ ସେହି ପର୍ଯ୍ୟାୟ ଅନ୍ତର୍ଭୁକ୍ତ ।


 

ପଞ୍ଚମତଃ, ସ୍ୱାଧୀନ ସାମ୍ୱାଦିକମାନେ ସାଧାରଣତଃ ନିଜସ୍ୱ ପ୍ରତିଭା ଓ ପ୍ରଚେଷ୍ଟା ବଳରେ ଦର୍ଶକମଣ୍ଡଳୀ ପ୍ରସ୍ତୁତ କରିଥାନ୍ତି । ଖୁବ କମ କ୍ଷେତ୍ରରେ ସେମାନଙ୍କୁ କୌଣସି ଆନୁଷ୍ଠାନିକ ପ୍ରୋତ୍ସାହନ ମିଳିଥାଏ । ୟୁଟ୍ୟୁବ ସମ୍ୱାଦ ଭିଡ଼ିଓ ଉପଭୋକ୍ତାମାନଙ୍କ ମଧ୍ୟରୁ ୬୬ ପ୍ରତିଶତ ଭିଡ଼ିଓ ମାଧ୍ୟମରେ ଘଟଣାଗୁଡ଼ିକୁ ପ୍ରାଞ୍ଜଳଭାବେ ବୁଝିପାରୁଥିବା ସ୍ୱୀକାର କରୁଥିବା ପ୍ରକାଶ । ଅବଶ୍ୟ ଗଣମାଧ୍ୟମ ସମୀକ୍ଷକମାନେ ୟୁଟ୍ୟୁବ ସମ୍ୱାଦ ଭିଡ଼ିଓଗୁଡ଼ିକ ମାତ୍ରାଧିକ ଅସତ୍ୟ ସମ୍ୱାଦ ଓ ରାଜନୀତିକ ପ୍ରଭାବ ରହୁଥିବା ଅଭିଯୋଗ ବାଢ଼ିଥାନ୍ତି ।


 

ଅସତ୍ୟ ସମ୍ୱାଦ ବର୍ଗରେ ‘କନସିପେରସି ଥିଓରି’ଧର୍ମୀ ସମ୍ୱାଦ ପ୍ରଯୋଜନା ଓ ପ୍ରସାରଣ ସମସାମୟିକ ସାମ୍ୱାଦିକତାରେ ବିଘଟନ ସୂତ୍ରପାତ କରାଇଛି । ମୁଖ୍ୟତଃ ରାଜନୀତିକ, ଧାର୍ମୀକ ଓ ଅର୍ଥନୀତିକ ଅଭିସନ୍ଧିଭିତ୍ତିକ ନିରାଧାର ସମ୍ୱାଦ ସୋସିଆଲ ମିଡ଼ିଆ ଉପଯୋଗରେ ପ୍ରସାର ସାମାଜିକସ୍ତରରେ ବିଭେଦ ସୃଷ୍ଟିରେ ମୂଳ ସାଧନ ପାଲଟିଥାଏ । ଇଣ୍ଟରନେଟ ଦ୍ୱାରା ଅତି କମ ସମୟ ମଧ୍ୟରେ ଅଧିକ ସଂଖ୍ୟକ ଗ୍ରହୀତାଙ୍କ ନିକଟରେ ପହଞ୍ଚୁପାରୁଥିବା ହେତୁ ପ୍ରସାରିତ ସମ୍ୱାଦର ଅପେକ୍ଷିକ ଗୁରୁତ୍ୱ ବୃଦ୍ଧି କରେ । ଏହିଭଳି ସମ୍ୱାଦ ସୂତ୍ରର ଲିଙ୍କ ସୋସିଆଲ ମିଡ଼ିଆରେ ପରିଚିତବର୍ଗ ପ୍ରେରଣ ‘ଫରୱାର୍ଡ଼’ କରୁଥିବା ହେତୁ ଉପଭୋକ୍ତାଙ୍କ ବିଶ୍ୱାସଯୋଗ୍ୟ ମନେହୋଇଥାଏ ।


 

ପିଉ ରିସର୍ଚ୍ଚ ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ସକାରାତ୍ମକ ତୁଳନାରେ ନକାରାତ୍ମକ ଭିଡ଼ିଓ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ । ଗବେଷଣା ନିମନ୍ତେ ଚ଼ିହ୍ନଟ ହୋଇଥିବା ଏକ ଶହ ଭିଡ଼ିଓ ଅନୁଶୀଳନରେ ନକାରାତ୍ମକ ସମ୍ୱାଦ ଭିଡ଼ିଓଗୁଡ଼ିକରେ ଅଧିକ ସଂଖ୍ୟକ ଅଭିମତ ‘କମେଣ୍ଟ’ ଲିପିବଦ୍ଧ ହୋଇଥିଲା । ଅର୍ଥାତ ଅଧିକ ସଂଖ୍ୟକ ଦର୍ଶକ ସେହି ବିଷୟବସ୍ତୁ ଆଲୋଚ଼ନାରେ ଅଂଶଗ୍ରହଣ କରିଥିଲେ । ନକାରାତ୍ମକ ସମ୍ୱାଦ ଭିଡ଼ିଓ କ୍ଷେତ୍ରରେ ୨୨ ପ୍ରତିଶତ ଆଲୋଚନା ସ୍ଥଳେ ସକାରାତ୍ମକ ସମ୍ୱାଦ ଭିଡ଼ିଓରେ ମାତ୍ର ୪ ପ୍ରତିଶତ ଆଲୋଚ଼ନା ଗଣିତ କରାଯାଇଥିଲା । ନକାରାତ୍ମକ ସମ୍ୱାଦ ଭିଡ଼ିଓଗୁଡ଼ିକରେ ଜଣେ ବ୍ୟକ୍ତି କିମ୍ୱା ଅନୁଷ୍ଠାନ ବିରୁଦ୍ଧରେ ତଥ୍ୟ ଓ ଅଭିମତ ସାଙ୍ଗକୁ ଟୀପ୍ପଣି ପ୍ରଦାନକୁ ଗୁରୁତ୍ୱ ଦିଆଯାଇଥାଏ ।


 

ଯୁକ୍ତରାଷ୍ଟ୍ର ଆମେରିକାରେ ୟୁଟ୍ୟୁବରେ ସମ୍ୱାଦ ଭିଡ଼ିଓ ଲୋକପ୍ରିୟତାର ପରିସଂଖ୍ୟାନ ପୃଥିବୀର ଅନ୍ୟାନ୍ୟ ପ୍ରାନ୍ତରେ ମଧ୍ୟ ଊଣାଅଧିକେ ଅନୁଭୂତ । ଭାରତ ଓ ଓଡ଼ିଶାରେ ୟୁଟ୍ୟୁବ ମଞ୍ଚକୁ ମୂଳସ୍ରୋତର ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ସୀମିତ ମାତ୍ରାରେ ବ୍ୟବହାର କରୁଥିବା ସ୍ଥଳେ ଏହି କ୍ଷେତ୍ରରେ କ୍ରମୋନ୍ନତି ପରିଲକ୍ଷିତ । ସେହିପରି ସ୍ୱାଧୀନ ସାମ୍ୱାଦିକଙ୍କ ପକ୍ଷରୁ ସମ୍ୱାଦକେନ୍ଦ୍ରୀକ ଭିଡ଼ିଓ ଅପଲୋଡ଼ର ସଂଖ୍ୟା ମଧ୍ୟ ବହୁତ କମ । ଭିଡ଼ିଓ ଅଭାବ ହେତୁ ଭାରତୀୟ ଭାଷାଗୁଡ଼ିକରେ ୟୁଟ୍ୟୁବ ଭିଡ଼ିଓ ସାମ୍ୱାଦିକତାର ପରିସର ୨୦୨୦ ସୁଦ୍ଧା ସଂକୁଚିତ ।


 

ଅବଶ୍ୟ ଓଡ଼ିଆ ସମେତ ଅନ୍ୟାନ୍ୟ ଭାରତୀୟ ଭାଷାରେ ୟୁଟ୍ୟୁବ ଭିଡ଼ିଓ ସାମ୍ୱାଦିକତା ୨୦୨୧ ରୁ ୨୦୨୫ ମଧ୍ୟରେ ବ୍ୟାପକ ପ୍ରସାର ଲାଭ ଆକଳନ କରାଯାଇପାରେ । ଯୁକ୍ତରାଷ୍ଟ୍ର ଆମେରିକାରେ ମହାମାରୀ-ପୂର୍ବ ଅବସ୍ଥାରେ ୟୁଟ୍ୟୁବ ଭିଡ଼ିଓ ସାମ୍ୱାଦିକତାର ସ୍ଥିତି ଓଡ଼ିଶା ଭଳି ଏକ ବିକାଶଶୀଳ ସମାଜରେ ସମ୍ଭାବନାର ଚ଼ିତ୍ର ଅଙ୍କନରେ ଗୁରୁତ୍ୱପୂର୍ଣ୍ଣ । ଇଣ୍ଟରନେଟର ବ୍ୟାପ୍ତି, ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ଓ ମହାମାରୀ ପରିବେଶରେ ଡିଜିଟାଲ ମଞ୍ଚଗୁଡ଼ିକର କ୍ଷୀପ୍ର ପ୍ରଗତି ଭିଡ଼ିଓ ସାମ୍ୱାଦିକତା ପରିପ୍ରକାଶରେ ସହାୟକ ହେବା ନିଶ୍ଚିତ । ଓଡ଼ିଶାରେ ମୁକ୍ତବୃତ୍ତିର ସାମ୍ୱାଦିକଙ୍କ ସଂଖ୍ୟା ଅଧିକ ତଥା ସେମାନେ ଦୀର୍ଘ ଅଭିଜ୍ଞତା ଅଧିକାରୀ ହୋଇଥିବା ହେତୁ ଭିଡ଼ିଓ ସାମ୍ୱାଦିକତାର ସାମାନ୍ୟ ବୈଷୟିକ କଳାକୌଶଳ ପ୍ରଶିକ୍ଷଣ ସେମାନଙ୍କୁ ଦକ୍ଷ ସ୍ୱାଧୀନ ଭିଡ଼ିଓ ସାମ୍ୱାଦିକଭାବେ ଗଢ଼ି ତୋଳିବା ଆଶା କରାଯାଇପାରେ ।

 

ପିଉ ରିସର୍ଚ୍ଚ ସର୍ବେକ୍ଷଣର ତଥ୍ୟାବଳୀ ବିଚାରକୁ ନେଲେ ଓଡ଼ିଶା ଭଳି ରାଜ୍ୟରେ ୟୁଟ୍ୟୁବ ଭିଡ଼ିଓ ସାମ୍ୱାଦିକତା ମୁଖ୍ୟତଃ ନକାରାତ୍ମକ ସମ୍ୱାଦ ଅର୍ଥାତ ପ୍ରଶାସନ, ସାମାଜିକ ବ୍ୟବସ୍ଥାର ସମାଲୋଚନା ଓ ଅଭିସନ୍ଧିମୂଳକ ସମ୍ୱାଦ ପ୍ରଯୋଜନାକୁ ଅଗ୍ରାଧିକାର ଦେବ । ମୂଳସ୍ରୋତ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକ ତୁଳନାରେ ସ୍ୱାଧୀନ ସାମ୍ୱାଦିକମାନଙ୍କ କୃତୀ ଗୁରୁତ୍ୱ ଲାଭ କରିବ ଏବଂ ସମ୍ୱାଦ କ୍ଷେତ୍ରରେ ଏକଚାଟିଆ ପ୍ରଭାବ କ୍ଷୁର୍ଣ୍ଣ ହେବା ସମ୍ଭବପର । ଆଞ୍ଚଳିକ ସାମ୍ୱାଦିକତା ବିକାଶକ୍ଷେତ୍ରରେ ନିର୍ବାଚନ ପ୍ରଭାବିତ କରୁଥିବା ହେତୁ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ସ୍ୱାଧୀନ ଭିଡ଼ିଓ ସାମ୍ୱାଦିକତା ପ୍ରାଧାନ୍ୟ ଲାଭ କରିବା ଆଶା କରାଯାଇପାରେ ।     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୦ ଅକ୍ଟୋବର ୨୦୨୦


ତଥ୍ୟ:



Pew Research Centre / Journalism & Media / Sept. 28, 2020. 


<https://www.journlism.org/2020/09/28/many-americans-get-news-on-youtube-where-news-organizations-and-independent-producers-thrive-side-by-side/>

ୟୁଟ୍ୟୁବ ଭିଡ଼ିଓ ସାମ୍ୱାଦିକତା

ବିଶ୍ୱବ୍ୟାପୀ ଲୋକପ୍ରିୟ ଭିଡ଼ିଓ ସେଆରିଂ ଆପ୍ଲିକେସନ ‘ଆପ’ଗୁଡ଼ିକ କ୍ରମଶଃ ସମ୍ୱାଦ ପ୍ରସାରଣର ନୂତନ ମଞ୍ଚ ରୂପେ ବିକଶିତ ହୋଇଚାଲିଥିବା ଧାରା ଗଣମାଧ୍ୟମ ପରିଧିରେ ଏକ ନୂତନ ସମୀକରଣ ସୃଷ୍ଟି କରିବ । ଯୁକ୍ତରାଷ୍ଟ୍ର ଆମେରିକାରେ ୟୁଟ୍ୟୁବ ମଞ୍ଚରେ ୨୬ ପ୍ରତିଶତ ଯାଏଁ ସେଠାକାର ପ୍ରାପ୍ତବୟସ୍କ ନାଗରିକ ସମ୍ୱାଦ ଆହରଣ କରୁଥିବା ତଥ୍ୟ ଅନେକଙ୍କୁ ବିସ୍ମିତ କରିଥାଏ । ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ୟୁଟ୍ୟୁବ ଆଧିପତ୍ୟ ଜାହିର କରିଥିବା ସ୍ଥଳେ ଚ଼ୀନ ଭଳି କେତେକ ରାଷ୍ଟ୍ରରେ ବିକଳ୍ପ ଭିଡ଼ିଓ ମଞ୍ଚ ବ୍ୟବହୃତ । ଅଭିବ୍ୟକ୍ତିରେ ସ୍ୱାଧୀନତା ଉପଭୋଗ କରୁଥିବା ରାଷ୍ଟ୍ରଗୁଡ଼ିକରେ ଆପାତତଃ ସମ୍ୱାଦ ପ୍ରସାରଣରେ ଭିଡ଼ିଓ ମଞ୍ଚ ଉପଯୋଗରେ ଆଗୁଆ ରହୁଥିବା ପରିଲକ୍ଷିତ ।


 

ମାର୍କିନ ସ୍ୱାଧୀନ ଗବେଷଣା ପ୍ରତିଷ୍ଠାନ ‘ପିଉ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ମହାମାରୀର ଠିକ ପୂର୍ବରୁ ୨୦୨୦ ଜାନୁୟାରୀ ୬ ରୁ ୨୦ ତାରିଖ ମଧ୍ୟରେ ୧୨,୬୩୮ ଜଣ ପ୍ରାପ୍ତବୟସ୍କ ନାଗରିକଙ୍କ ଗହଣରେ ସେମାନଙ୍କ ଭିଡ଼ିଓ ମଞ୍ଚ ବ୍ୟବହାର ସଂପର୍କରେ ଆୟୋଜିତ ସର୍ବେକ୍ଷଣ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅବତାରଣା କରିଥିଲା ।  ପ୍ରଥମତଃ, ଭିଡ଼ିଓ ମଞ୍ଚରେ ଉପଭୋକ୍ତାଙ୍କ ସଂଖ୍ୟା ବଢ଼ି ଚାଲିଛି । ସର୍ଚ୍ଚଇଞ୍ଜିନରେ ଯେକୌଣସି ବିଷୟରେ ତଥ୍ୟ ଖୋଜିବା ଭଳି ଜନସାଧାରଣ ଭିଡ଼ିଓ ସେଆରିଂ ପ୍ଲାଟଫର୍ମରେ ସମ୍ୱାଦଧର୍ମୀ ଭିଡ଼ିଓ ଖୋଜୁଛନ୍ତି ।


 

ଦ୍ୱିତୀୟତଃ, ଜନସାଧାରଣଙ୍କ ମଧ୍ୟରୁ ଏକଚ଼ତୁର୍ଥାଂଶ ୟୁଟ୍ୟୁବରେ ସମ୍ୱାଦ ଆହରଣ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତ ଏହାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ସ୍ଥଳେ ୫୯ ପ୍ରତିଶତ ଅନ୍ୟାନ୍ୟ ମଞ୍ଚ ସହ ସମ୍ୱାଦ ଆହରଣ ନିମନ୍ତେ ଗ୍ରହଣ କରିଥାନ୍ତି । ଅର୍ଥାତ ୟୁଟ୍ୟୁବ ସ୍ୱଳ୍ପ ସଂଖ୍ୟକଙ୍କ ମଧ୍ୟରେ ପ୍ରମୁଖ ସମ୍ୱାଦ ମଞ୍ଚର ମାନ୍ୟତା ପାଇ ସାରିଥିବା ସ୍ଥଳେ ଅର୍ଦ୍ଧାଧିକଙ୍କ ବିଶ୍ୱାସଭାଜନ ହୋଇପାରିଛି ।


 

ତୃତୀୟତଃ, ଯୁକ୍ତରାଷ୍ଟ୍ର ଆମେରିକା ପୃଷ୍ଠଭୂମିରେ ୟୁଟ୍ୟୁବରେ ପ୍ରତିଷ୍ଠିତ ସମ୍ୱାଦପତ୍ର, ଟେଲିଭିଜନ ଓ ଅନଲାଇନ ମଞ୍ଚଦ୍ୱାରା ପ୍ରସ୍ତୁତ ସମ୍ୱାଦ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ୱାଧୀନ ସାମ୍ୱାଦିକଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାୟ ସମପରିମାଣର କାର୍ଯ୍ୟକ୍ରମ ଉପଲବ୍ଧ । ଡ଼ିସେମ୍ୱର ୨୦୧୯ରେ ୟୁଟ୍ୟୁବରେ ପ୍ରଦର୍ଶିତ ସମ୍ୱାଦ କାର୍ଯ୍ୟକ୍ରମ ମଧ୍ୟରେ ୪୯ ପ୍ରତିଶତ ପ୍ରତିଷ୍ଠିତ ସମ୍ୱାଦ ସଂସ୍ଥାର କାର୍ଯ୍ୟକ୍ରମ ସାଙ୍ଗକୁ ୪୨ ପ୍ରତିଶତ ସ୍ୱାଧୀନ ସାମ୍ୱାଦିକଙ୍କ କାର୍ଯ୍ୟକ୍ରମ ଓ ୯ ପ୍ରତିଶତ ଅନ୍ୟାନ୍ୟ ସୂତ୍ରରୁ ପ୍ରସ୍ତୁତ କାର୍ଯ୍ୟକ୍ରମ ଗଣତି କରାଯାଇଥିଲା । ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ ମାର୍କିନ ଭିଡ଼ିଓ ସମ୍ୱାଦ ଉପତ୍ୟକାରେ ମୂଳସ୍ରୋତ ମଞ୍ଚଗୁଡ଼ିକର ଏକଚାଟିଆ ଆଧିପତ୍ୟ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।


 

ଚତୁର୍ଥତଃ, ଆଙ୍ଗିକ ଦୃଷ୍ଟିରୁ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକର ଭିଡ଼ିଓ ସଂକ୍ଷିପ୍ତ ଏବଂ ପ୍ରାୟ ପାଞ୍ଚ ମିନଟ ମଧ୍ୟରେ ସୀମିତ ରହୁଥିବା ସ୍ଥଳେ ସ୍ୱାଧୀନ ସାମ୍ୱାଦିକମାନଙ୍କ ଭିଡ଼ିଓଗୁଡ଼ିକ ଅପେକ୍ଷାକୃତ ଦୀର୍ଘ ଏବଂ ପ୍ରାୟ ୧୨ ମିନଟ ଯାଏଁ ସଂପ୍ରସାରିତ । ସ୍ୱାଧୀନ ସାମ୍ୱାଦିକମାନଙ୍କ ଦ୍ୱାରା ପ୍ରସ୍ତୁତ ଭିଡ଼ିଓଗୁଡ଼ିକର ବିଷୟବସ୍ତୁ ଅଧିକ ସଂଖ୍ୟାରେ ନକାରାତ୍ମକ । ଅନୁଧ୍ୟାନରୁ ସ୍ୱାଧୀନ ସାମ୍ୱାଦିକଙ୍କ ଦ୍ୱାରା ପ୍ରସ୍ତୁତ ୩୭ ପ୍ରତିଶତ ଭିଡ଼ିଓ ସମ୍ୱାଦ ନକାରାତ୍ମକ ଥିବା ସ୍ଥଳେ ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ପ୍ରସ୍ତୁତ ସମ୍ୱାଦ ଭିଡ଼ିଓ ମଧ୍ୟରେ ୧୭ ପ୍ରତିଶତ ନକାରାତ୍ମକ ଥିବା ଜଣାଯାଏ ।


 

ସେହିପରି ସର୍ବେକ୍ଷଣରେ ଡ଼ିସେମ୍ୱର ୨୦୧୯ରେ ପ୍ରସାରିତ ତିନି ହଜାର ଭିଡ଼ିଓ ମଧ୍ୟରେ ତୁଳନାତ୍ମକ ଭାବେ ଅଧିକ ପ୍ରସାରିତ ୧୦୦ ଗୋଟି ସମ୍ୱାଦ ଭିଡ଼ିଓ ଅନୁଶୀଳନରୁ ସ୍ୱାଧୀନ ସାମ୍ୱାଦିକମାନଙ୍କ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ମଧ୍ୟରେ ୧୪ ପ୍ରତିଶତ ଅଭିସନ୍ଧିଭିତ୍ତିକ ‘କନସିପେରସି ଥିଓରିସ’ ଥିବା ସ୍ଥଳେ ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ମଧ୍ୟରେ ମାତ୍ର ୪ ପ୍ରତିଶତ ସେହି ପର୍ଯ୍ୟାୟ ଅନ୍ତର୍ଭୁକ୍ତ ।


 

ପଞ୍ଚମତଃ, ସ୍ୱାଧୀନ ସାମ୍ୱାଦିକମାନେ ସାଧାରଣତଃ ନିଜସ୍ୱ ପ୍ରତିଭା ଓ ପ୍ରଚେଷ୍ଟା ବଳରେ ଦର୍ଶକମଣ୍ଡଳୀ ପ୍ରସ୍ତୁତ କରିଥାନ୍ତି । ଖୁବ କମ କ୍ଷେତ୍ରରେ ସେମାନଙ୍କୁ କୌଣସି ଆନୁଷ୍ଠାନିକ ପ୍ରୋତ୍ସାହନ ମିଳିଥାଏ । ୟୁଟ୍ୟୁବ ସମ୍ୱାଦ ଭିଡ଼ିଓ ଉପଭୋକ୍ତାମାନଙ୍କ ମଧ୍ୟରୁ ୬୬ ପ୍ରତିଶତ ଭିଡ଼ିଓ ମାଧ୍ୟମରେ ଘଟଣାଗୁଡ଼ିକୁ ପ୍ରାଞ୍ଜଳଭାବେ ବୁଝିପାରୁଥିବା ସ୍ୱୀକାର କରୁଥିବା ପ୍ରକାଶ । ଅବଶ୍ୟ ଗଣମାଧ୍ୟମ ସମୀକ୍ଷକମାନେ ୟୁଟ୍ୟୁବ ସମ୍ୱାଦ ଭିଡ଼ିଓଗୁଡ଼ିକ ମାତ୍ରାଧିକ ଅସତ୍ୟ ସମ୍ୱାଦ ଓ ରାଜନୀତିକ ପ୍ରଭାବ ରହୁଥିବା ଅଭିଯୋଗ ବାଢ଼ିଥାନ୍ତି ।


 

ଅସତ୍ୟ ସମ୍ୱାଦ ବର୍ଗରେ ‘କନସିପେରସି ଥିଓରି’ଧର୍ମୀ ସମ୍ୱାଦ ପ୍ରଯୋଜନା ଓ ପ୍ରସାରଣ ସମସାମୟିକ ସାମ୍ୱାଦିକତାରେ ବିଘଟନ ସୂତ୍ରପାତ କରାଇଛି । ମୁଖ୍ୟତଃ ରାଜନୀତିକ, ଧାର୍ମୀକ ଓ ଅର୍ଥନୀତିକ ଅଭିସନ୍ଧିଭିତ୍ତିକ ନିରାଧାର ସମ୍ୱାଦ ସୋସିଆଲ ମିଡ଼ିଆ ଉପଯୋଗରେ ପ୍ରସାର ସାମାଜିକସ୍ତରରେ ବିଭେଦ ସୃଷ୍ଟିରେ ମୂଳ ସାଧନ ପାଲଟିଥାଏ । ଇଣ୍ଟରନେଟ ଦ୍ୱାରା ଅତି କମ ସମୟ ମଧ୍ୟରେ ଅଧିକ ସଂଖ୍ୟକ ଗ୍ରହୀତାଙ୍କ ନିକଟରେ ପହଞ୍ଚୁପାରୁଥିବା ହେତୁ ପ୍ରସାରିତ ସମ୍ୱାଦର ଅପେକ୍ଷିକ ଗୁରୁତ୍ୱ ବୃଦ୍ଧି କରେ । ଏହିଭଳି ସମ୍ୱାଦ ସୂତ୍ରର ଲିଙ୍କ ସୋସିଆଲ ମିଡ଼ିଆରେ ପରିଚିତବର୍ଗ ପ୍ରେରଣ ‘ଫରୱାର୍ଡ଼’ କରୁଥିବା ହେତୁ ଉପଭୋକ୍ତାଙ୍କ ବିଶ୍ୱାସଯୋଗ୍ୟ ମନେହୋଇଥାଏ ।


 

ପିଉ ରିସର୍ଚ୍ଚ ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ସକାରାତ୍ମକ ତୁଳନାରେ ନକାରାତ୍ମକ ଭିଡ଼ିଓ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ । ଗବେଷଣା ନିମନ୍ତେ ଚ଼ିହ୍ନଟ ହୋଇଥିବା ଏକ ଶହ ଭିଡ଼ିଓ ଅନୁଶୀଳନରେ ନକାରାତ୍ମକ ସମ୍ୱାଦ ଭିଡ଼ିଓଗୁଡ଼ିକରେ ଅଧିକ ସଂଖ୍ୟକ ଅଭିମତ ‘କମେଣ୍ଟ’ ଲିପିବଦ୍ଧ ହୋଇଥିଲା । ଅର୍ଥାତ ଅଧିକ ସଂଖ୍ୟକ ଦର୍ଶକ ସେହି ବିଷୟବସ୍ତୁ ଆଲୋଚ଼ନାରେ ଅଂଶଗ୍ରହଣ କରିଥିଲେ । ନକାରାତ୍ମକ ସମ୍ୱାଦ ଭିଡ଼ିଓ କ୍ଷେତ୍ରରେ ୨୨ ପ୍ରତିଶତ ଆଲୋଚନା ସ୍ଥଳେ ସକାରାତ୍ମକ ସମ୍ୱାଦ ଭିଡ଼ିଓରେ ମାତ୍ର ୪ ପ୍ରତିଶତ ଆଲୋଚ଼ନା ଗଣିତ କରାଯାଇଥିଲା । ନକାରାତ୍ମକ ସମ୍ୱାଦ ଭିଡ଼ିଓଗୁଡ଼ିକରେ ଜଣେ ବ୍ୟକ୍ତି କିମ୍ୱା ଅନୁଷ୍ଠାନ ବିରୁଦ୍ଧରେ ତଥ୍ୟ ଓ ଅଭିମତ ସାଙ୍ଗକୁ ଟୀପ୍ପଣି ପ୍ରଦାନକୁ ଗୁରୁତ୍ୱ ଦିଆଯାଇଥାଏ ।


 

ଯୁକ୍ତରାଷ୍ଟ୍ର ଆମେରିକାରେ ୟୁଟ୍ୟୁବରେ ସମ୍ୱାଦ ଭିଡ଼ିଓ ଲୋକପ୍ରିୟତାର ପରିସଂଖ୍ୟାନ ପୃଥିବୀର ଅନ୍ୟାନ୍ୟ ପ୍ରାନ୍ତରେ ମଧ୍ୟ ଊଣାଅଧିକେ ଅନୁଭୂତ । ଭାରତ ଓ ଓଡ଼ିଶାରେ ୟୁଟ୍ୟୁବ ମଞ୍ଚକୁ ମୂଳସ୍ରୋତର ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ସୀମିତ ମାତ୍ରାରେ ବ୍ୟବହାର କରୁଥିବା ସ୍ଥଳେ ଏହି କ୍ଷେତ୍ରରେ କ୍ରମୋନ୍ନତି ପରିଲକ୍ଷିତ । ସେହିପରି ସ୍ୱାଧୀନ ସାମ୍ୱାଦିକଙ୍କ ପକ୍ଷରୁ ସମ୍ୱାଦକେନ୍ଦ୍ରୀକ ଭିଡ଼ିଓ ଅପଲୋଡ଼ର ସଂଖ୍ୟା ମଧ୍ୟ ବହୁତ କମ । ଭିଡ଼ିଓ ଅଭାବ ହେତୁ ଭାରତୀୟ ଭାଷାଗୁଡ଼ିକରେ ୟୁଟ୍ୟୁବ ଭିଡ଼ିଓ ସାମ୍ୱାଦିକତାର ପରିସର ୨୦୨୦ ସୁଦ୍ଧା ସଂକୁଚିତ ।


 

ଅବଶ୍ୟ ଓଡ଼ିଆ ସମେତ ଅନ୍ୟାନ୍ୟ ଭାରତୀୟ ଭାଷାରେ ୟୁଟ୍ୟୁବ ଭିଡ଼ିଓ ସାମ୍ୱାଦିକତା ୨୦୨୧ ରୁ ୨୦୨୫ ମଧ୍ୟରେ ବ୍ୟାପକ ପ୍ରସାର ଲାଭ ଆକଳନ କରାଯାଇପାରେ । ଯୁକ୍ତରାଷ୍ଟ୍ର ଆମେରିକାରେ ମହାମାରୀ-ପୂର୍ବ ଅବସ୍ଥାରେ ୟୁଟ୍ୟୁବ ଭିଡ଼ିଓ ସାମ୍ୱାଦିକତାର ସ୍ଥିତି ଓଡ଼ିଶା ଭଳି ଏକ ବିକାଶଶୀଳ ସମାଜରେ ସମ୍ଭାବନାର ଚ଼ିତ୍ର ଅଙ୍କନରେ ଗୁରୁତ୍ୱପୂର୍ଣ୍ଣ । ଇଣ୍ଟରନେଟର ବ୍ୟାପ୍ତି, ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ଓ ମହାମାରୀ ପରିବେଶରେ ଡିଜିଟାଲ ମଞ୍ଚଗୁଡ଼ିକର କ୍ଷୀପ୍ର ପ୍ରଗତି ଭିଡ଼ିଓ ସାମ୍ୱାଦିକତା ପରିପ୍ରକାଶରେ ସହାୟକ ହେବା ନିଶ୍ଚିତ । ଓଡ଼ିଶାରେ ମୁକ୍ତବୃତ୍ତିର ସାମ୍ୱାଦିକଙ୍କ ସଂଖ୍ୟା ଅଧିକ ତଥା ସେମାନେ ଦୀର୍ଘ ଅଭିଜ୍ଞତା ଅଧିକାରୀ ହୋଇଥିବା ହେତୁ ଭିଡ଼ିଓ ସାମ୍ୱାଦିକତାର ସାମାନ୍ୟ ବୈଷୟିକ କଳାକୌଶଳ ପ୍ରଶିକ୍ଷଣ ସେମାନଙ୍କୁ ଦକ୍ଷ ସ୍ୱାଧୀନ ଭିଡ଼ିଓ ସାମ୍ୱାଦିକଭାବେ ଗଢ଼ି ତୋଳିବା ଆଶା କରାଯାଇପାରେ ।

 

ପିଉ ରିସର୍ଚ୍ଚ ସର୍ବେକ୍ଷଣର ତଥ୍ୟାବଳୀ ବିଚାରକୁ ନେଲେ ଓଡ଼ିଶା ଭଳି ରାଜ୍ୟରେ ୟୁଟ୍ୟୁବ ଭିଡ଼ିଓ ସାମ୍ୱାଦିକତା ମୁଖ୍ୟତଃ ନକାରାତ୍ମକ ସମ୍ୱାଦ ଅର୍ଥାତ ପ୍ରଶାସନ, ସାମାଜିକ ବ୍ୟବସ୍ଥାର ସମାଲୋଚନା ଓ ଅଭିସନ୍ଧିମୂଳକ ସମ୍ୱାଦ ପ୍ରଯୋଜନାକୁ ଅଗ୍ରାଧିକାର ଦେବ । ମୂଳସ୍ରୋତ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକ ତୁଳନାରେ ସ୍ୱାଧୀନ ସାମ୍ୱାଦିକମାନଙ୍କ କୃତୀ ଗୁରୁତ୍ୱ ଲାଭ କରିବ ଏବଂ ସମ୍ୱାଦ କ୍ଷେତ୍ରରେ ଏକଚାଟିଆ ପ୍ରଭାବ କ୍ଷୁର୍ଣ୍ଣ ହେବା ସମ୍ଭବପର । ଆଞ୍ଚଳିକ ସାମ୍ୱାଦିକତା ବିକାଶକ୍ଷେତ୍ରରେ ନିର୍ବାଚନ ପ୍ରଭାବିତ କରୁଥିବା ହେତୁ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ସ୍ୱାଧୀନ ଭିଡ଼ିଓ ସାମ୍ୱାଦିକତା ପ୍ରାଧାନ୍ୟ ଲାଭ କରିବା ଆଶା କରାଯାଇପାରେ ।     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୦ ଅକ୍ଟୋବର ୨୦୨୦


ତଥ୍ୟ:



Pew Research Centre / Journalism & Media / Sept. 28, 2020. 


<https://www.journlism.org/2020/09/28/many-americans-get-news-on-youtube-where-news-organizations-and-independent-producers-thrive-side-by-side/>

ବିକଳ୍ପ ପ୍ରେକ୍ଷାଳୟ ପରିବେଶ 'ୟୁଟ୍ୟୁବ'

ମହାମାରୀ ଅବସରରେ ବିଶ୍ୱବ୍ୟାପୀ ଚଳଚ଼ିତ୍ର, ସଂଗୀତ ଓ ନାଟକ ଇତ୍ୟାଦି ପରିବେଷଣ ସୁଯୋଗ ଅଭାବରୁ ପ୍ରେକ୍ଷାଳୟମାନ ଦୀର୍ଘକାଳ ଧରି ବନ୍ଦ ରହିବା ଅବସରରେ ଓଭର-ଦି-ଟପ ‘ଓଟିଟି’ ମଞ୍ଚ ବିକଳ୍ପ ପ୍ରେକ୍ଷାଳୟ ରୂପେ ଗଢ଼ି ଉଠିଛି । ସେଗୁଡ଼ିକ ମଧ୍ୟରେ ଗୁଗୁଲ ସହଯୋଗୀ ‘ୟୁଟ୍ୟୁବ’ର ଦର୍ଶକ ସଂଖ୍ୟା ୨୦୦ କୋଟି ହିସାବ କରାଯାଉଥିବା ସ୍ଥଳେ ସର୍ବବୃହତ ଓଟିଟି ମଞ୍ଚର ମାନ୍ୟତା ଦାବୀ କରେ । ୟୁଟ୍ୟୁବ କ୍ରମବିକାଶରେ ମହତ୍ତ୍ୱପୂର୍ଣ୍ଣ ବିଷୟ ଏହିଯେ ପାରମ୍ପରିକଭାବେ ସମ୍ୱାଦପତ୍ର ଓ ଟେଲିଭିଜନ ସମ୍ୱାଦ ଓ ମନୋରଞ୍ଜନ କ୍ଷେତ୍ରରେ ଆବଦ୍ଧ ରହିଥିବା ସ୍ଥଳେ ୟୁଟ୍ୟୁବ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ ଠାରୁ ଆରମ୍ଭ କରି ରନ୍ଧନ, ବ୍ୟାୟମ, ରୂପସଜ୍ଜା ଇତ୍ୟାଦି ଜନଜୀବନର ବିଭିନ୍ନସ୍ତରକୁ ପ୍ରଭାବିତ କରିବାରେ ସକ୍ଷମ ହୋଇପାରିଛି ।


 

ଖ୍ୟାତନାମା ଅନଲାଇନ ଗବେଷଣା ପ୍ରତିଷ୍ଠାନ ‘କମସ୍କୋର’ ଗଣନାରେ ଭାରତରେ ୨୦୨୦ରେ ଭିଡ଼ିଓ ଦର୍ଶକ ସଂଖ୍ୟା ୪୬ କୋଟି ୮୦ ଲକ୍ଷରେ ପହଞ୍ଚିଥିଲା । ସେଥିମଧ୍ୟରେ ୟୁଟ୍ୟୁବ ଉପଭୋକ୍ତାଭାବେ ୪୪ କୋଟି ଦର୍ଶକ ସାମିଲ ହୋଇଥିଲେ । ଦେଶର ଦ୍ୱିତୀୟ ବୃହତ ଓଟିଟି ମଞ୍ଚ ‘ଟାଇମ୍ସ ଅଫ ଇଣ୍ଡିଆ’ ଗୃପର ‘ଏମଏକ୍ସ ପ୍ଳେୟାର’ ଦର୍ଶକ ସଂଖ୍ୟା ୟୁଟ୍ୟୁବର ଅର୍ଦ୍ଧେକ ଅର୍ଥାତ ପ୍ରାୟ ୨୨ କୋଟିରେ ସୀମିତ ରହିଥିଲା । ‘ମିଡ଼ିଆ ପାର୍ଟନର୍ସ ଏସିଆ’ ଆକଳନରେ ୟୁଟ୍ୟୁବର ବାର୍ଷିକ ଆୟ ପ୍ରାୟ ଚାରି ହଜାର କୋଟି ଟଙ୍କା ଛୁଇଁଥିଲା ।


 

ୟୁଟ୍ୟୁବ ମଞ୍ଚର ଲୋକପ୍ରିୟତା ବୃଦ୍ଧି ତର୍ଜମା କରି ‘ୟୁଟ୍ୟୁବ ଭାରତ’ର ପ୍ରମୁଖ କର୍ମକର୍ତ୍ତା କଣ୍ଟେଣ୍ଟ ପାର୍ଟନରସିପ ଡାଇରେକ୍ଟର ସତ୍ୟ ରାଘବନ ତିନିଗୋଟି ବିଶେଷତ୍ୱକୁ ପ୍ରାଧାନ୍ୟ ଦିଅନ୍ତି । ପ୍ରଥମତଃ, ଅନଲାଇନ ଦର୍ଶକଗଣ ଟେଲିଭିଜନ ପରିବେଶରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଧରି ‘ସୋପ ଅପେରା’ ପ୍ରଶଂସକ ଶ୍ରେଣୀରୁ ଉନ୍ନୀତ ହୋଇଛନ୍ତି । ଅର୍ଥାତ ସାଧାରଣ ଦର୍ଶକମଣ୍ଡଳୀ ମନୋରଞ୍ଜନଧର୍ମୀ ପାରିବାରିକ ନାଟକ ମଧ୍ୟରେ ଆବଦ୍ଧ ନରହି ଅନ୍ୟାନ୍ୟ ବିଷୟପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ଫଳରେ ପ୍ରଚଳିତ ଟେଲିଭିଜନ କାର୍ଯ୍ୟକ୍ରମର ବିକଳ୍ପ ଖୋଜା ପଡୁଛି ।


 

ଦ୍ୱିତୀୟତଃ, ଦର୍ଶକମାନଙ୍କ ପାଇଁ ମୂଳସ୍ରୋତ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ପୂର୍ବପ୍ରଦର୍ଶିତ ସମ୍ୱାଦ ସମେତ ମନୋରଞ୍ଜନ ଟେଲିଭିଜନ କାର୍ଯ୍ୟକ୍ରମ, ଧାରାବାହିକ, ପୂର୍ଣ୍ଣାଙ୍ଗ ଚଳଚ଼ିତ୍ର, ସଂଗୀତ ଇତ୍ୟାଦି ନିଜ ରୁଚ଼ି ଓ ସମୟ ଅନୁଯାୟୀ ଆହରଣ କରିବାଲାଗି ୟୁଟ୍ୟୁବରେ ପୁନଃ ପ୍ରସାରଣ ‘କେଚ଼-ଅପ’ ସୁଯୋଗ ସୃଷ୍ଟି କରୁଛି । ଫଳରେ ଦର୍ଶକମାନେ ଟେଲିଭିଜନ ବଦଳରେ ୟୁଟ୍ୟୁବ ମୁହାଁ ହେଉଛନ୍ତି । ଅନ୍ୟ ଓଟିଟି ମଞ୍ଚଗୁଡ଼ିକରେ ଏହି ଧରଣର ସୁବିଧା ଉପଲବ୍ଧ ଥିଲେହେଁ ୟୁଟ୍ୟୁବର ବିବିଧତା ଓ ଦେୟମୁକ୍ତ ସୁଯୋଗ ନଥାଏ ।


 

ତୃତୀୟତଃ, ଭିଡ଼ିଓ ମଞ୍ଚରେ ଉପଭୋକ୍ତାଙ୍କ ରୁଚି ଓ ଆବଶ୍ୟକତା ଦୃତ ପରିବର୍ତ୍ତନ ହେବାରେ ଲାଗିଛି । ଅନ୍ୟତ୍ର ଉପଲବ୍ଧ ହେଉନଥିବା ବିଭିନ୍ନ ବିଷୟ ୟୁଟ୍ୟୁବ ଭିଡ଼ିଓ ପ୍ରଦର୍ଶନର ସୁଯୋଗ ସୃଷ୍ଟି ହୋଇଥାଏ । ଉଦାହରଣରେ ରୋଷେଇ ଘର ପାଣି ପାଇପ ମରାମତଠାରୁ ଆରମ୍ଭ କରି ମନୁଷ୍ୟ ମସ୍ତିସ୍କରେ ସ୍ନାୟୁଗତ କାର୍ଯ୍ୟଧାରା ସଂପର୍କରେ ଜ୍ଞାନାର୍ଜନ ଯାଏଁ ଅସଂଖ୍ୟ ବିଷୟ ୟୁଟ୍ୟୁବ ମଞ୍ଚରେ ଖୋଜି ପାଇହୁଏ ।


 

ମହାମାରୀ-ପୂର୍ବାବସ୍ଥାରେ ଭାରତରେ ଇଣ୍ଟରନେଟର ବ୍ୟାପ୍ତି, ସ୍ମାର୍ଟଫୋନ ବ୍ୟବହାର ଓ ଇ-କମର୍ସ କାରବାରରେ ଯୋଗଦାନର ଧାରା ବିକଶିତ ହୋଇସାରିଥିଲା । ମହାମାରୀଜନିତ ଦୀର୍ଘକାଳ ଜନପଦ ବନ୍ଦ ‘ଲକ-ଡାଉନ’ ୨୦୨୦ ବର୍ଷ ସାରା ବଳବତ୍ତର ରହିବା ଅବସରରେ ଇଣ୍ଟରନେଟ ସଂଯୁକ୍ତି କିମ୍ୱା ସ୍ମାର୍ଟଫୋନ ପ୍ରସାର କ୍ଷେତ୍ରରେ ବିଶେଷ ଅଗ୍ରଗତି ଘଟିନଥିଲେ ହେଁ ଅନଲାଇନରେ ଉପଭୋକ୍ତାଙ୍କ ଦୀର୍ଘକାଳୀନ ଉପସ୍ଥିତି ଏବଂ ଭର୍ଚୁଆଲ ମଞ୍ଚରେ ବିଭିନ୍ନ ଉତ୍ପାଦ ବ୍ୟବହାରରେ ଅଭ୍ୟସ୍ତ ହୋଇପଡ଼ିଥିବା ଉଲ୍ଲେଖନୀୟ ବିଷୟ । ମହାମାରୀକାଳରେ ଜନସାଧାରଣଙ୍କ ଆଚ଼ରଣ ମହାମାରୀ-ପର ଅବସ୍ଥାରେ ଜନଜୀବନକୁ ପ୍ରଭାବିତ କରିଥିବା ପ୍ରମାଣ କ୍ରମଶଃ ଉନ୍ମୋଚ଼ିତ ହେବାରେ ଲାଗିଛି । ଉଦାହରଣରେ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ମହାମାରୀ-ପର ଅବସ୍ଥାରେ ୧୪ ପ୍ରତିଶତ ଯାଏଁ ଅଭିବୃଦ୍ଧି ଘଟିଥିବା ଗୁଗୁଲ ପକ୍ଷରୁ କୁହାଯାଉଛି ।


 

ଗଣମାଧ୍ୟମ ବିଶ୍ଳେଷକଗଣ ୨୦୨୧ରୁ ୨୦୨୫ ପାଞ୍ଚ ବର୍ଷ ମଧ୍ୟରେ ଗଣମାଧ୍ୟମ ପରିଧିରେ ଅଡ଼ିଓ ଓ ଭିଡ଼ିଓ ସର୍ବାପେକ୍ଷା ବ୍ୟବହୃତ ମାଧ୍ୟମ ରୂପେ ବିକଶିତ ହେବା ଆକଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ କ୍ଷେତ୍ରରେ ୟୁଟ୍ୟୁବ ନେତୃତ୍ୱ ନେବାଲାଗି ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ରହିଛି ।


 

ୟୁଟ୍ୟୁବ ମଞ୍ଚରେ ସୃଜନ ପ୍ରଦର୍ଶନ ଓ ଆହରଣ ଦେୟମୁକ୍ତ । ଏହାର ଆନ୍ତର୍ଜାତିକସ୍ତରର ବୈଷୟିକ ଦକ୍ଷତା ସମସ୍ତଙ୍କ ପାଇଁ ଉପଲବ୍ଧ । ବୈଷୟିକ କଳାକୌଶଳର ଅଗ୍ରଗତିରେ ଅଡ଼ିଓ ଓ ଭିଡ଼ିଓ ସୃଜନ ପ୍ରସ୍ତୁତି ସହଜସାଧ୍ୟ ହୋଇପାରିଥିବା ହେତୁ ସ୍ମାର୍ଟଫୋନ ଓ ବିଭିନ୍ନ ଆପ୍ଳିକେସନ ବ୍ୟବହାର ଲାଗି ଅନଲାଇନ ତାଲିମରେ ଯେକୌଣସି ବ୍ୟକ୍ତି ଦକ୍ଷତା ହାସଲ କରିବା ସଂଭବ । ଏହି ଦୁଇ ସୁବିଧା ସୁଯୋଗ ବିସ୍ତୃତ ଉପଭୋକ୍ତାଙ୍କୁ ସୃଜନ ପ୍ରସ୍ତୁତି ଲାଗି ଯୋଗ୍ୟ ବିବେଚ଼ିତ କରାଇଥାଏ ।


 

ପାରମ୍ପରିକଭାବେ ଗଣମାଧ୍ୟମ ଉପଯୋଗରେ ପ୍ରକାଶନ ବା ପ୍ରଦର୍ଶନ ବିପୁଳ ପ୍ରସ୍ତୁତି, ସମ୍ୱଳ ଓ ନିବେଶ ଆବଶ୍ୟକ କରି ଆସିଥିବା ବେଳେ ୟୁଟ୍ୟୁବ ଭଳି ମଞ୍ଚ ଅଡ଼ିଓ ଓ ଭିଡ଼ିଓ ସୃଜନ ପ୍ରସ୍ତୁତି ପାଇଁ ସ୍ମାର୍ଟଫୋନରେ ଚ଼ିତ୍ର ଓ ଶବ୍ଦ ଗ୍ରହଣ, ସମ୍ପାଦନା ଓ ପ୍ରସାରଣ ସଂଭବ ହୋଇପାରୁଛି । ଏହା ଗଣମାଧ୍ୟମରେ ଏକରକମ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି କରିଛି ବୋଲି କହିବାକୁ ହେବ । ସୃଜନ ପ୍ରସ୍ତୁତି ଓ ପ୍ରଦର୍ଶନ ନିମନ୍ତେ ଆର୍ଥିକ ବୋଝ ସାଙ୍ଗକୁ ସାମାଜିକ ପ୍ରତିଷ୍ଠା ବନ୍ଧନୀରୁ ପ୍ରକାଶକ ମୁକ୍ତ ହୋଇପାରିଥିବା ଗଣମାଧ୍ୟମର ଏକବିଂଶ ଶତାଦ୍ଦୀର ଗୁରୁତ୍ୱପୂର୍ଣ୍ଣ ଅବଦାନ ।


 

କ୍ଳାଉଡ଼ କମ୍ପ୍ୟୁଟିଂ ଉପଯୋଗରେ ଅସୀମିତ ଅଡ଼ିଓ ଓ ଭିଡ଼ିଓ ଫାଇଲ ଦାର୍ଘକାଳ ଲାଗି ଗଚ୍ଛିତ କରି ରଖିବା ସାମର୍ଥ୍ୟ ତଥା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ସର୍ବାଧୁନିକ ବୈଷୟିକ କୌଶଳ ବ୍ୟବହାରରେ ସୁବିଧା ଉପଲବ୍ଧ କରାଇବା ୟୁଟ୍ୟୁବର ଅନ୍ୟତମ ବୈଶିଷ୍ଟ୍ୟ । ସର୍ବୋପରି ଭଏସ-କମାଣ୍ଡ ନିରକ୍ଷର ଓ ନବସାକ୍ଷରଙ୍କୁ ଭିଡ଼ିଓ ଆହରଣର ସୁଯୋଗ ଯୋଗାଇପାରିବ ।

 

ଆମ ଦେଶ ଭାରତରେ ସ୍ୱାଧୀନୋତ୍ତର ଅବସ୍ଥାରୁ ଚଳଚ଼ିତ୍ର ପ୍ରେକ୍ଷାଳୟ କ୍ରମବିକଶିତ ସହରୀସଭ୍ୟତାର ସାଂସ୍କୃତିକ କେନ୍ଦ୍ର ରୂପେ ଗଢ଼ି ଉଠିଥିବା ସ୍ଥଳେ ମହାମାରୀ ଅବସରରେ ଓଭର-ଦି-ଟପ ‘ଓଟିଟି’ ମଞ୍ଚ ବିକଳ୍ପ ପ୍ରେକ୍ଷାଳୟ ରୂପେ ଆତ୍ମପ୍ରକାଶ କରିଛି । ଏହାର ଉପଭୋକ୍ତା ସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏକ ହିସାବ ଅନଯାୟୀ ଦେୟଯୁକ୍ତ ଓଟିଟି ମଞ୍ଚଗୁଡ଼ିକରେ ୨୦୧୮ରେ ୨୦ ଲକ୍ଷ ଉପଭୋକ୍ତା ଥିବା ସ୍ଥଳେ ୨୦୨୦ରେ ପାଞ୍ଚକୋଟି ୮୦ ଲକ୍ଷକୁ ବୃଦ୍ଧି ପାଇଥିଲା । ଅବଶ୍ୟ ଦେୟମୁକ୍ତ ୟୁଟ୍ୟୁବ ଦର୍ଶକ ସଂଖ୍ୟା ଏହାଠାରୁ ଢ଼େର ଅଧିକ ସଂଖ୍ୟାରେ ପହଞ୍ଚି ବିକଳ୍ପ ପ୍ରେକ୍ଷାଳୟ ପରିବେଶ ସୃଷ୍ଟିରେ ନେତୃତ୍ୱ ଗ୍ରହଣ କରିଛି ।      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୮ ଜୁନ ୨୦୨


ତଥ୍ୟ:



Khandekar, Vanita Kholi. Uploading many a dream to world’s largest OTT. Business Standard . (Bhubaneswar Edition). June 11, 2021.

ଏଆଇ ଏଲଏଲଏମ ଓ ସୃଜନ ସତ୍ତ୍ୱ 

କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ର ବୃହତ ଭାଷା ଶୃଙ୍ଖଳ ‘ଲାର୍ଜ ଲାଙ୍ଗୁଏଜ ମଡ଼େଲ’ ଉତ୍ପାଦ ‘ଚାଟ-ଜିପିଟି’ ୨୦୨୨ ନଭେମ୍ୱରରେ ଲୋକାର୍ପିତ ହେବା ପରଠୁ ଏହି ପ୍ରଯୁକ୍ତି କୌଶଳ ପ୍ରସ୍ତୁତିରେ ବିପୁଳ ସଂଖ୍ୟକ ଇଂଲିଶ ରଚନା ବ୍ୟବହୃତ ହୋଇଥିବା ଏବଂ ଏଥି ନିମନ୍ତେ ପ୍ରାୟୋଜକ ଅନୁମତି ହାସଲ କରିନଥିବା ସମସ୍ୟାକୁ ନେଇ ୨୦୨୩ ବର୍ଷବ୍ୟାପୀ ଆଲୋଚ଼ନା ଜାରି ରହିଥିଲା । ସୃଜନ ସତ୍ତ୍ୱ ଉଲଂଘନ ଅଭିଯୋଗରେ କେତେକ ଲେଖକ ଓ ଏକ ଫୋଟ ଏଜେନ୍ସି ମଧ୍ୟ ଅଦାଲତ ଦ୍ୱାରସ୍ଥ ହୋଇଥିଲେ । ତେବେ ୨୭ ଡ଼ିସେମ୍ୱର ୨୦୨୩ରେ ପ୍ରମୁଖ ମାର୍କିନ ସମ୍ୱାଦପତ୍ର ‘ଦି ନ୍ୟୂୟର୍କ ଟାଇମ୍ସ’ ମାନହଟ୍ଟାନ ପ୍ରାଦେଶିକ ଜିଲ୍ଲା ଅଦାଲତ ‘ଫେଡ଼େରାଲ ଡ଼ିଷ୍ଟ୍ରିକ୍ଟ କୋର୍ଟ ଅଫ ମାନହଟ୍ଟାନ’ରେ ସୃଜନ ସତ୍ତ୍ୱ ‘କପିରାଇଟ’ ମକଦ୍ଦମା ଦାୟର କରିବା ଘଟଣାକ୍ରମକୁ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହୁଞ୍ଚାଇଥିଲା ।

 

ଲାର୍ଜ ଲାଙ୍ଗୁଏଜ ମଡ଼େଲଗୁଡ଼ିକ ପ୍ରତ୍ୟେକ ଏକ କମ୍ପ୍ୟୁଟର ପ୍ରୋଗ୍ରାମ । ଏହା ମାନବ ବ୍ୟବହୃତ ରଚନା ‘ଟେକ୍ସଟ’ ବୁଝିବା ଓ ଲେଖିବାରେ ସମର୍ଥ । ଅର୍ଥାତ, ଏଲଏଲଏମକୁ କୌଣସି ପ୍ରଶ୍ନ ପଚାରିଲେ ଉପଲବ୍ଧ ତଥ୍ୟ ଆଧାରରେ ଉତ୍ତର ଦେଇପାରେ । ଏହି ଦକ୍ଷତା ହାସଲ ନିମନ୍ତେ ଏଲଏଲଏମ ବିପୁଳ ସଂଖ୍ୟକ ପୂର୍ବ ପ୍ରସ୍ତୁତ ରଚନା ଅଧ୍ୟୟନରେ ତାଲିମପ୍ରାପ୍ତ ହୋଇଥାଏ । ‘ଦି ନ୍ୟୂୟର୍କ ଟାଇମ୍ସ’ପକ୍ଷରୁ ଦାବୀ କରାଯାଉଛି ଯେ ‘ଚାଟ-ଜିପିଟି’ ତାଲିମରେ ସମ୍ୱାଦପତ୍ର ପ୍ରସ୍ତୁତ ଓ ଅନଲାଇନରେ ଉପଲବ୍ଧ ଲକ୍ଷ ଲକ୍ଷ ସମ୍ୱାଦ ରଚନା ବ୍ୟବହୃତ ହୋଇଛି । ‘ଚାଟ-ଜିପିଟି’ କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ସମ୍ୱାଦପତ୍ରରେ ପ୍ରକାଶିତ ରଚନାର ପ୍ରାୟ ଅବିକଳ ନକଲ ଉତ୍ତର ଦେଉଛି । ଏହି ପରିବେଶ ସୃଜନ ସତ୍ତ୍ୱ ବିରୁଦ୍ଧାଚରଣ କରୁଛି । ସମ୍ୱାଦପତ୍ର ନିମନ୍ତେ ସୃଜନ, ସମୟ ଓ ଅର୍ଥ ବ୍ୟୟରେ ପ୍ରସ୍ତୁତ ରଚନାବଳୀ ପରୋକ୍ଷ ଉପଯୋଗରେ ଏଲଏଲଏମ ଗୁଡ଼ିକ ନିଜସ୍ୱ ବ୍ୟବସାୟ ଆରମ୍ଭ କରିଛନ୍ତି ।

 

‘ଦି ନ୍ୟୂୟର୍କ ଟାଇମ୍ସ’ ପକ୍ଷରୁ କୁହାଯାଇଛି ଯେ ସାଧାରଣ ପାଠକ ସାଂପ୍ରତିକ ଘଟଣାବଳୀ ସଂପର୍କରେ ବିବରଣୀ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏଲଏଲଏମ ଚାଟବଟ ଗୁଡ଼ିକ ନିକଟରେ ପହଞ୍ଚୁଛନ୍ତି । ଚାଟବଟ ‘ଦି ନ୍ୟୂୟର୍କ ଟାଇମ୍ସ’ଭଳି ସମ୍ୱାଦପତ୍ରରୁ ଆହରଣ କରିଥିବା ରଚନା ସନ୍ନିବେଶରେ ଉତ୍ତର ପ୍ରସ୍ତୁତ କରୁଛି । ଉପଭୋକ୍ତାମାନେ ‘ଚାଟ-ଜିପିଟି’ର ଉତ୍ତରରେ ସନ୍ତୁଷ୍ଟ ହୋଇ ଅଧିକ ଜାଣିବାଲାଗି ସମ୍ୱାଦପତ୍ର ୱେବସାଇଟକୁ ଆଉ ଯାଉନାହାନ୍ତି । ଫଳରେ ପରିଦର୍ଶକ ଅଭାବରୁ ୱେବସାଇଟର ବିଜ୍ଞାପନ ଓ ଗ୍ରାହକଚାନ୍ଦା ଆୟ ହାନୀ ଘଟିବା ଆଶଙ୍କା ଦେଖାଦେଇଛି । ଏକ ପକ୍ଷରେ ନିଜ ସୃଜନ ସତ୍ତ୍ୱ ହରାଇବା ସହ ଅପରପକ୍ଷରେ ବ୍ୟାବସାୟିକ ବିରୋଧାଭାସର ସୂଚନା ମିଳିଛି ।

 

ଅଦାଲତ ଦରଖାସ୍ତରେ ‘ଦି ନ୍ୟୂୟର୍କ ଟାଇମ୍ସ’ ପକ୍ଷରୁ ‘ଓପନ-ଏଆଇ’ ଓ ‘ମାଇକ୍ରୋସଫଟ’ ବିରୋଧରେ ସୃଜନ ସତ୍ତ୍ୱ ଉଲଂଘନ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଆର୍ଥିକ ପରିମାଣ ଦାବୀ କରାଯାଇ ନାହିଁ । କିନ୍ତୁ ଏତଦ୍ୱାରା ସମ୍ୱାଦପତ୍ରର ବ୍ୟାପକ କ୍ଷତି ଘଟିଥିବା ଏବଂ ଏଥି ନିମନ୍ତେ ଏଲଏଲଏମ ପ୍ରଯୋଜକଙ୍କୁ ଦାୟୀ କରିଛି । ‘ଦି ନ୍ୟୂୟର୍କ ଟାଇମ୍ସ’ ରଚନା ବ୍ୟବହାର କରିଥିବା ଏଲଏଲଏମ ଗୁଡ଼ିକୁ ତୁରନ୍ତ ନଷ୍ଟ କରିଦେବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଅଦାଲତଠାରେ ପ୍ରାର୍ଥନା କରିଛି । ଏଲଏଲଏମ ତାଲିମରେ ସମ୍ୱାଦପତ୍ରରେ ପ୍ରକାଶିତ ରଚନା ବ୍ୟବହାର ବିରୋଧରେ ‘ଦି ନ୍ୟୂୟର୍କ ଟାଇମ୍ସ’ ଓପନ-ଏଆଇ ଓ ମାଇକ୍ରୋସଫ୍ଟ ସହ ଏପ୍ରିଲ ୨୦୨୩ରୁ ବିଧିବଦ୍ଧ ଆଲୋଚନା ଆରମ୍ଭ ହୋଇଥିଲା । କିନ୍ତୁ କୌଣସି ନିସ୍ପତ୍ତି ହୋଇପାରିନାହିଁ ।

 

ଏଆଇ ଏଲଏଲଏମ ଓ ସୃଜନ ସତ୍ତ୍ୱ ମାମଲା ପ୍ରାଥମିକସ୍ତରରେ ଥିବା ହେତୁ ଆଇନଗତ ଲଢ଼େଇ କେଉଁ ଦିଗରେ ଗତି କରିବ ତାହା ସମୟ କହିବ । ତେବେ ମାର୍କିନ ଆଇନ ବିଶାରଦମାନେ ଟିପ୍ପଣୀ ଦେଉଛନ୍ତି ଯେ ସୃଜନ ସତ୍ତ୍ୱ ସଂପର୍କୀତ ମାମଲା ଦୀର୍ଘ ଦିନ ଧରି ଚାଲିପାରେ । ବିଚାରଣା, ଅପିଲରେ ସମୟ ଅତିବାହିତ ହୋଇ ସୁପ୍ରିମକୋର୍ଟରେ ପହଞ୍ଚିପାରେ । ଏଭଳି ଘଟଣାକ୍ରମରେ ଦଶ ବର୍ଷ ବିତି ଯିବା ଅସଂଭବ ନୁହେଁ । ସାଧାରଣରେ ସୃଜନ ସତ୍ତ୍ୱ ମାମଲାଗୁଡ଼ିକ ପାରସ୍ପରିକ ବୁଝାମଣାରେ ତୁଟେ । ‘ଓପନ-ଏଆଇ’ପକ୍ଷରୁ ‘ଦି ଏସୋସିଏଟେଡ଼ ପ୍ରେସ’ ନିଉଜ ଏଜେନ୍ସି ଓ ‘ପଲଟିକୋ’, ‘ବିଜିନେସ ଇନସାଇଡର’ର ପ୍ରକାଶକ ଆଲେକ୍ସ ସ୍ପ୍ରିଙ୍ଗରଙ୍କ ସଙ୍ଗେ ସୃଜନ ସତ୍ତ୍ୱ ନେଇ ବୁଝାମଣା ସରିଛି ।

 

ପ୍ରଶ୍ନ ଉଠେ ‘ଦି ନ୍ୟୂୟର୍କ ଟାଇମ୍ସ’ପକ୍ଷରୁ ‘ଓପନ-ଏଆଇ’ ଓ ‘ମାଇକ୍ରୋସଫ୍ଟ’ ବିରୋଧରେ ସୃଜନ ସତ୍ତ୍ୱ ମକଦ୍ଦମା ଯଦି ଦଶ ବର୍ଷ ଯାଏଁ ସଂପ୍ରସାରିତ ହୁଏ ତେବେ ୨୦୨୩ ବାର୍ଷିକ ହିସାବରେ ପ୍ରତି ଛଅ ମାସରେ ଦ୍ୱିଗୁଣିତ ହେଉଥିବା ଏଆଇ ପ୍ରଯୁକ୍ତି କୌଶଳ ହୁଏତ ଏପରି ଏକ ସ୍ତରରେ ପହଞ୍ଚି ସାରିଥିବା ଯେଉଁଠି ମକଦ୍ଦମାଟି ଅପ୍ରାସଙ୍ଗିକ ହୋଇପଡ଼ିବ । ସୃଜନ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଅଗ୍ରଗତି ବିଶ୍ୱ ଜନଜୀବନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ମୌଳିକସ୍ତରରେ ଆଲୋଚ଼ନା କଲେ ସୃଜନ ସତ୍ତ୍ୱ ‘କପିରାଇଟ’ ବ୍ରିଟେନରେ ମୁଦ୍ରଣ ଶିଳ୍ପ ପ୍ରସାରିତ ହେବା ଅବସରରେ ବ୍ୟାବସାୟିକ ସୁରକ୍ଷା ନିମନ୍ତେ ୧୭୧୦ରେ ପ୍ରଣୀତ ହୋଇଥିଲା । ମୁଦ୍ରଣ କଳାକୌଶଳ ବିକଶିତ ହେବା ପୂର୍ବରୁ ଠାର, ଭାଷା ଓ ଲିପି ମାଧ୍ୟମରେ ମାନବ ସଭ୍ୟତା ବିନା ସୃଜନ ସତ୍ତ୍ୱ ସଂରକ୍ଷଣରେ ହଜାର ହଜାର ବର୍ଷ ଅତିବାହିତ କରିଛି । ମାତ୍ର ଚାରି ଶହ ବର୍ଷର ଏକ ଆଇନକୁ କେନ୍ଦ୍ର କରି କ’ଣ ଆମେ ବିଜ୍ଞାନର ସଦ୍ୟତମ ଆବିଷ୍କାର ସୃଜନ କୃତ୍ରିମ ବୁଦ୍ଧିମତ୍ତା ଜନିତ ସୁଯୋଗସୁବିଧାକୁ ଅଣଦେଖା କରିବା ?

 

ସାଧାରଣରେ ମନୁଷ୍ୟ ଅନ୍ୟମାନଙ୍କୁ ଅନୁକରଣ କରି ଭାଷା ଶିଖେ । ଏଲଏଲଏମ ଯଦି ଅନଲାଇନରେ ଉପଲବ୍ଧ ସାହିତ୍ୟ ଅଧ୍ୟୟନ କରି ମାନବିକ ରଚନା ବୁଝିବା ଓ ଲେଖିବା ଦକ୍ଷତା ହାସଲ କରିପାରୁଛି, ସେଥିରେ ପ୍ରତିବନ୍ଧକ ଆଣିବା ଯୁକ୍ତିଯୁକ୍ତ କି ? କୌଣସି ବ୍ୟାବସାୟିକ ବୁଝାମଣାରେ ନୀତି ନିର୍ଦ୍ଧାରଣ କିମ୍ୱା ରାଜନୀତିକ ସୀମା-ସରହଦ ପ୍ରାକୃତିକ ନୁହେଁ । ପରିସ୍ଥିତି ସହ ପରିବର୍ତ୍ତନଶୀଳ । ‘ଚାଟ-ଜିପିଟି’ ଭଳି ଏକ ଅତ୍ୟାଧୁନିକ ପ୍ରଯୁକ୍ତି କୌଶଳ ବିନା ମୂଲ୍ୟରେ ଲୋକାର୍ପଣ ସାମୂହିକ ସ୍ୱାର୍ଥର ପ୍ରତିନିଧିତ୍ୱ ଦାବୀ କରିପାରିବ କି ?

 

‘ଚାଟ-ଜିପିଟି’ ଏକ ପ୍ରଯୁକ୍ତି କୌଶଳ । ଉପଭୋକ୍ତାଙ୍କ ନିର୍ଦ୍ଦେଶମତେ ଏହା ରଚନା ପ୍ରସ୍ତୁତ କରେ ଏବଂ ପ୍ରସ୍ତୁତ ରଚନା ବ୍ୟବହାର ଉପଭୋକ୍ତାଙ୍କ ଇଚ୍ଛାଧୀନ । ‘ଚାଟ-ଜିପିଟି’ର ବ୍ୟକ୍ତିଗତ ଅନୁଭୂତି, ଅଭିମତ କିମ୍ୱା ଅଭିପ୍ରାୟ ନଥାଏ । ଏତଦ୍ୱାରା ପ୍ରସ୍ତୁତ ରଚନା ବ୍ୟବହାରକାରୀଙ୍କ ଦାୟିତ୍ୱଧୀନ । ଅର୍ଥାତ, ନ୍ୟାୟିକ ଓ ନୈତିକ ଭୂମିକା ବ୍ୟବହାରକାରୀ ନିର୍ବାହ କରିବେ । ଏହା ଏକ ପ୍ରଯୁକ୍ତିକୌଶଳ ହୋଇଥିବା ହେତୁ ଏହାର ନ୍ୟାୟିକ ବ୍ୟକ୍ତିତ୍ୱ ନଥାଏ ବୋଲି ‘ଚାଟ-ଜିପିଟି’ ସ୍ପଷ୍ଟୀକରଣ ଦିଏ ।

 

ଅପରପକ୍ଷରେ ଅଦାଲତରେ ମକଦ୍ଦମା ଦାୟର ଅବସରରେ ‘ଦି ନ୍ୟୂୟର୍କ ଟାଇମ୍ସ’ ପକ୍ଷରୁ ଦାବୀ କରାଯାଇଛି ଯେ ‘ଚାଟ-ଜିପିଟି’ ସ୍ଥଳବିଶେଷରେ ସମ୍ୱାଦପତ୍ରରେ ପ୍ରକାଶିତ ରଚନାଗୁଡ଼ିକୁ ପ୍ରାୟତଃ ଅବିକଳ ଉପଭୋକ୍ତାଙ୍କୁ ଯୋଗାଉଛି । ପ୍ରଚଳିତ ଆଇନ ଅନୁଯାୟୀ ଏହା ନକଲ ପର୍ଯ୍ୟାଭୁକ୍ତ । ଏହା ପ୍ରମାଣିତ କରିବା ନିମନ୍ତେ ମକଦ୍ଦମା ଦରଖାସ୍ତ ସହ ଶହେ ସରିକି ଉଦାହରଣ ମଧ୍ୟ ସନ୍ନିବଶିତ କରିଛି । ବିଶେଷଜ୍ଞମାନେ କହୁଛନ୍ତି ଏଲଏଲଏମ ଗୁଡ଼ିକୁ ତାଲିମ ଦିଆଯାଉଥିବା ଉପାଦାନ ନକଲ କରୁଥିବା କିମ୍ୱା ଅତି ସାଧାରଣ ପରିବର୍ତ୍ତନ କରି ଉପସ୍ଥାପିତ କରୁଥିବା ଜଣାଯାଏ । ପ୍ରଶ୍ନ ଉଠେ ଉପଭୋକ୍ତାମାନେ ଏଲଏଲଏମ ମାଧ୍ୟମରେ ପ୍ରସ୍ତୁତ ରଚନାବଳୀ ମୌଳିକ ନା ନକଲ କିପରି ଜାଣିବେ ? ଅର୍ଥାତ, ଉନ୍ନତ ପ୍ରଯୁକ୍ତିକୌଶଳ ବ୍ୟବହାର କରି ଅପରାଧିକ ମାମଲାରେ ଛନ୍ଦି ହୋଇଯିବେନି ତ ! ‘ଓପନ-ଏଆଇ’ ଓ ‘ମାଇକ୍ରୋସଫଟ’ ବିରୁଦ୍ଧରେ ‘ଦି ନ୍ୟୂୟର୍କ ଟାଇମ୍ସ’ର ସୃଜନ ସତ୍ତ୍ୱ ମାମଲା ପ୍ରକାଶନ ଜଗତରେ ସୁଦୂରପ୍ରସାରୀ ପ୍ରଭାବ ପକାଇବା ଆଶା କରାଯାଇପାରେ ।       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୨


ତଥ୍ୟ:

 

Grynbanm, Michel M. & Ryan Mac. NYT sues Microsoft, Open AI over AI’s use of copyright work. Business Standard (Bhubaneswar Edition). December 20, 2023

 

Moreno, J. Edward. Boom in AI prompts a test of copyright law. Business Standard (Bhubaneswar Edition). January 1, 2024

 

Marcus, Gary & Raid Southon. Generative AI has a visual plagiarism problem. IEEE Spectrum. Jan 6, 2024.

 

https://spectrum.ieee.org/midjourney-copyright 

ଓଟିଟି ଉପଭୋକ୍ତାଙ୍କ ଋଚି 

ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ଗଣମାଧ୍ୟମ ମଞ୍ଚଗୁଡ଼ିକର ଉପଭୋକ୍ତାଙ୍କ ରୁଚ଼ିରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ । ଏକପକ୍ଷରେ ସୂଚ଼ନା ପ୍ରଦ୍ୟୋଗୀକି କ୍ଷେତ୍ରରେ ପ୍ରଗତି ସାଙ୍ଗକୁ ବୃହତ ନିବେଶ ଓ ଉପଭୋକ୍ତାକେନ୍ଦ୍ରୀକ ମଞ୍ଚଗୁଡ଼ିକର ଏକତ୍ରୀକରଣ ‘କନସୋଲିଡ଼େସନ’ ପରିବର୍ତ୍ତନର ମଙ୍ଗ ଧରିଥାଏ । କ୍ରମଶଃ ଡ଼ିଜିଟାଲ ମଞ୍ଚ ଉପଭୋକ୍ତାମାନେ ଦୈନିକଭିତ୍ତିରେ ଅଧିକ ସମୟ ଅନଲାଇନରେ ଉପସ୍ଥିତ ରହୁଥିବା ତଥା ସୂଚ଼ନା ପ୍ରାଚୁର୍ଯ୍ୟରେ ଧନ୍ଦି ହୋଇଯାଉଥିବା ଅବସରରେ ପାଠକ, ଶ୍ରୋତା ଓ ଦର୍ଶକଙ୍କ ଋଚି ଦ୍ରୁତ ପରିବର୍ତ୍ତନଶୀଳ । ଅପରପକ୍ଷରେ, ସମସାମୟିକ ପରିଚାଳନା ପଦ୍ଧତି ଉପଭୋକ୍ତଙ୍କ ଋଚି ପରଖି କ୍ରମାଗତ ଭାବେ ବିଭିନ୍ନ ଡ଼ିଜିଟାଲ ମଞ୍ଚ ସମତୁଲ ଓଟିଟି ମଞ୍ଚଗୁଡ଼ିକୁ ଲୋକପ୍ରିୟ କରାଇବା ନିମନ୍ତେ ଉଦ୍ୟମରତ ।

 

ଭାରତରେ ୨୦୦୮ରେ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଆନୁକୂଲ୍ୟରେ ‘ବିଗ ଫ୍ଳିକ୍ସ’ ପ୍ରଥମ ଓଟିଟି ମଞ୍ଚ । ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୦ରେ ‘ନେକ୍ସଟ ଜିଟିଭି’ ମୋବାଇଲ ଆପ ଯୋଗେ ଓଟିଟି ଷ୍ଟ୍ରୀମିଂ ବ୍ୟବସ୍ଥା କରିଥିଲା । ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ଓ ଡ଼ାଟା ଦର ହ୍ରାସ ପରେ ୨୦୧୫ରେ ଇଣ୍ଡିଆନ ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଓଟିଟି ମଞ୍ଚରେ ସିଧା ପ୍ରସାରଣ ଏକ ନୂତନ ଯୁଗ ଆରମ୍ଭ କରିଥିଲା । ଦେଶରେ ୨୦୨୩ ସୁଦ୍ଧା ପ୍ରାୟ ୫୦ ସରିକି ଓଟିଟି ମଞ୍ଚ ସକ୍ରିୟ ଥିବା ଜଣାଯାଏ ।

 

ଡିଜିଟାଲ ମଞ୍ଚ ଗବେଷଣା ପ୍ରତିଷ୍ଠାନ ‘କମସ୍କୋର’ ତଥ୍ୟ ଅନୁଯାୟୀ ଭାରତରେ ୪୮ରୁ ୫୦ କୋଟି ଦର୍ଶକ ଅନଲାଇନରେ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତି । ଓଟିଟି ମଞ୍ଚ ମଧ୍ୟରୁ କେତେକ ମାଗଣାରେ ଉପଭୋଗ ଉପଲବ୍ଧ ଥିବା ସ୍ଥଳେ ଅନ୍ୟ କେତେକ ଦେୟଯୁକ୍ତ । ଭାରତରେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ୯୦ କୋଟି ହିସାବ କରାଯାଏ । ଏଥିରୁ ପ୍ରାୟ ୭୨ ହଜାର କୋଟି ଟଙ୍କା ରାଜସ୍ୱ ଆୟ ହୁଏ । ଉପଗ୍ରହଭିତ୍ତିକ ଟେଲିଭିଜନ ତୁଳନାରେ ଓଟିଟି ମଞ୍ଚରେ ଦର୍ଶକ ଓ ରାଜସ୍ୱ ନଗଣ୍ୟ । ମହାମାରୀ-ପର ଅବସ୍ଥାରେ ଚଳଚ଼ିତ୍ର ପ୍ରେକ୍ଷାଳୟରେ ପ୍ରଦର୍ଶନ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଦେଖାଯାଏ । ଓଟିଟି ମଞ୍ଚର ବ୍ୟାପକ ପ୍ରସାର ଆଶା କରାଯାଇଥିବା ସ୍ଥଳେ ତାହା ସଂଭବ ହୋଇପାରି ନାହିଁ ।

 

ଓଡ଼ିଆରେ ତରଙ୍ଗ ପ୍ଳସ (୨୦୧୯), ଆଓ ନେକ୍ସଟ (୨୦୨୦) ଓ କଞ୍ଚାଲଙ୍କା (୨୦୧୦) ତିନିଗୋଟି ଓଟିଟି ମଞ୍ଚ କାର୍ଯ୍ୟକ୍ରମ ଷ୍ଟ୍ରୀମିଂ କରିଥାନ୍ତି । ଜିଓ ଟିଭି, ଜିଓ ସିନେମା, ଡିସନୀ ହଟଷ୍ଟାର, ଏମଏକ୍ସ ପ୍ଳେୟାର, ଭୂତ, ଜୀ ଏଣ୍ଟରଟାଇନମେଣ୍ଟ ଇତ୍ୟାଦି ଓଟିଟି ମଞ୍ଚରେ ଅନ୍ୟାନ୍ୟ ଭାଷା ସହ ଓଡ଼ିଆ ଭଷାରେ କାର୍ଯ୍ୟକ୍ରମ ପ୍ରସାରଣ ନିମନ୍ତେ ଅନୁମତି ପାଇଥିବା ଜଣାଯାଏ । ତେବେ ହିନ୍ଦି ସହ ତେଲୁଗୁ, ତାମିଲ, କନ୍ନଡ଼, ମାଳାୟଳମ, ମରାଠୀ ଓ ବଙ୍ଗାଳି ଓଟିଟି ମଞ୍ଚ ପ୍ରତିଷ୍ଠିତ ହୋଇସାରିଥିବା ସ୍ଥଳେ ଓଡ଼ିଆ ଓଟିଟି ମଞ୍ଚଗୁଡ଼ିକର ସାମଗ୍ରୀକ ସ୍ଥିତି ନୈରାଶ୍ୟଜନକ ।

 

ସ୍ଥୁଳଭାବେ ଓଡ଼ିଆ ଓଟିଟି ମଞ୍ଚଗୁଡ଼ିକରେ ସୃଜନ ‘କଣ୍ଟେଣ୍ଟ’ ଅଭାବ ଏହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିନି । ଓଡ଼ିଆ ଗଣମାଧ୍ୟମରେ ବିଭିନ୍ନ ମଞ୍ଚରେ ଯେପରି ତୃଟିପୂର୍ଣ୍ଣ ସଂପାଦକୀୟ ନୀତି ଗୃହୀତ ହୋଇଥାଏ, ଓଡ଼ିଆ ଓଟିଟି ମଞ୍ଚରେ ମଧ୍ୟ ତାହାର ପୁନରାବୃତ୍ତି ଘଟିଛି । ଓଡ଼ିଆ ପ୍ରକାଶକ ବିଚାର କରେ ୭୦ ଭାଗ ଓଡ଼ିଆ ପରିବାର ସରକାରୀ ରାସନ ନିଅନ୍ତି ଓ ଅଧିକାଂଶ ଅଳ୍ପ-ପାଠୁଆ, ତେଣୁ ସମାଜର ତଳୁଆ ବର୍ଗଙ୍କ ରୁଚ଼ିକୁ ସୁହାଇଲାଭଳି ସୃଜନ ସୃଷ୍ଟି କଲେ ବହୁ ସଂଖ୍ୟକ ଜନସାଧାରଣଙ୍କ ପାଖେ ପହଞ୍ଚି ପାରିବେ । କିନ୍ତୁ ତାହା ଭୂଲ, କାରଣ ତଳୁଆ ବର୍ଗ ଗ୍ରାହକ ଚାନ୍ଦା ଦେଇ ସୃଜନ ଆହରଣ କରିନଥାନ୍ତି  କିମ୍ୱା କେବଳ ସେମାନଙ୍କୁ ନେଇ ବିଜ୍ଞାପନ ରାଜସ୍ୱ ଆଶା କରାଯାଇପାରେନା।

 

ଉଦାହରଣରେ ସମ୍ୱାଦପତ୍ର ଅର୍ଥନୀତି ଆଲୋଚ଼ନା କରାଯାଉ । ଆମ ରାଜ୍ୟରେ ମୁଦ୍ରିତ ସମ୍ୱାଦପତ୍ରର ଗ୍ରାହକ ପାଞ୍ଚ ଲକ୍ଷ ସରକାରୀ କର୍ମଚାରୀ, ୪ ଲକ୍ଷ ୫୦ ହଜାର ପେନସନଭୋଗୀ ଓ ପାଞ୍ଚ ଲକ୍ଷ ବୃତ୍ତିଧାରୀଙ୍କ ମଧ୍ୟରେ ସୀମିତ । ଏମାନଙ୍କ ମଧ୍ୟରୁ ସମସ୍ତେ ଇଂଲିଶ, ହିନ୍ଦି ଜାଣନ୍ତି ଏବଂ କେତେକ ଓଡ଼ିଆ ଭିନ୍ନ ଅନ୍ୟଭାଷାର ସମ୍ୱାଦପତ୍ର ମଧ୍ୟ ପଢନ୍ତି । ଓଡ଼ିଆ ସମ୍ୱାଦପତ୍ର ଦୁଇରୁ ତିନି ଲକ୍ଷ ପାଠକଙ୍କୁ ଗ୍ରାହକ ଶ୍ରେଣୀଭୁକ୍ତ କରିବା ଲକ୍ଷ୍ୟସିଦ୍ଧି ନିମନ୍ତେ ସେମାନଙ୍କ ନିମନ୍ତେ ଉଚ୍ଚମାନର ସାମ୍ୱାଦିକତା ପରିବେଷଣ କରିବା ଉଚ଼ିତ ନା ଥଟ୍ଟାତାମସା ପାଇଁ ଉଦ୍ଦିଷ୍ଟ ସମ୍ୱାଦ ପ୍ରକାଶକୁ ଅଗ୍ରାଧୀକାର ଦେବା ଉଚ଼ିତ ?

 

ଦ୍ୱିତୀୟତଃ, ଓଡ଼ିଆ ଗଣମାଧ୍ୟମର ସଂପାଦକୀୟ ନୀତି ନିର୍ଦ୍ଧାରଣ କଲାବେଳେ ଆମେ ପ୍ରତିବେଶୀ ଭାଷାର ସ୍ଥିତି ଅନୁକରଣ ଚ଼େଷ୍ଟା କରୁ । କିନ୍ତୁ ହିନ୍ଦି, ବଙ୍ଗଳା ଓ ତେଲୁଗୁ ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ଓ ଅପେକ୍ଷାକୃତଭାବେ ଉନ୍ନତ ସାମାଜିକ ସ୍ଥିତିରେ ଉପନୀତ । ଓଟିଟି ମଞ୍ଚରେ ହିନ୍ଦି ବା ବଙ୍ଗଳାର କ୍ରାଇମ ଥ୍ରିଲର ଓଡ଼ିଆରେ ସଫଳତା ଆଶା କରିବା ବୃଥା ।

 

ତୃତୀୟତଃ, ଓଟିଟି ମଞ୍ଚ ବିଶ୍ୱବ୍ୟାପୀ ଉପଲବ୍ଧ ଥିବା ହେତୁ ଓଡ଼ିଶା ବାହାରେ ଅବସ୍ଥାପିତ ଓଡ଼ିଆମାନେ କିପରି ଆକୃଷ୍ଟ ହେବେ, ସେଦିଗରେ ଉଦ୍ୟମ କରାଯିବା କଥା । ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଓ ଦେୟଯୁକ୍ତ ସେବା ଗ୍ରହଣରେ ଅଭ୍ୟସ୍ତ । ସେମାନଙ୍କ ଦର୍ଶକୀୟ ଋଚିକୁ ଗବେଷଣାକରି ତଦ୍ ଅନୁଯାୟୀ ସୃଜନ ପ୍ରସ୍ତୁତ ହୋଇପାରିଲେ ସେମାନଙ୍କ ସହ ଓଡ଼ିଶାର ଉଚ୍ଚବର୍ଗ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିବ ।

 

ଚ଼ତୁର୍ଥତଃ, ଓଡ଼ିଆ ସମ୍ୱାଦପତ୍ର, ଟେଲିଭିଜନ ଓ ଓଟିଟି ଉପଭୋକ୍ତା ସଂଖ୍ୟା ସୀମିତ । ତେଣୁ ଓଡ଼ିଆ ଗଣମାଧ୍ୟମରେ କୌଣସି ବ୍ୟୟବହୁଳ ଯୋଜନା ହାତକୁ ନେବା ଅନୁଚିତ । ଅଧିକ ନିବେଶ କଲେ ରାଜସ୍ୱ ନପାଇବା କାରଣରୁ ମଞ୍ଚଗୁଡ଼ିକ ଖୁବ କମ ସମୟରେ ରୁଗଣ ହୋଇଯିବା ସ୍ୱାଭାବିକ । ଛୋଟ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ଆୟବ୍ୟୟ ସର୍ବସାଧାରଣରେ ପ୍ରକାଶିତ ହୁଏ ନାହିଁ । ଫଳରେ ମାଲିକ ଓ ପରିଚାଳନା ମଣ୍ଡଳୀର କ୍ଷୁଦ୍ର କୋଟରି ବ୍ୟତୀତ ସେହି ମଞ୍ଚରେ ନିଯୁକ୍ତ କର୍ମଚାରୀମାନେ ମଧ୍ୟ ବ୍ୟାବସାୟିକ ସ୍ଥିତି ପରଖିପାରନ୍ତି ନାହିଁ । ଏହି ପ୍ରହେଳିକାମୟ ଅର୍ଥନୀତି ଗଣମାଧ୍ୟମ ପ୍ରାୟୋଜକ ଓ କର୍ମଚାରୀ ଉଭୟଙ୍କୁ ଏକ ସମୟରେ ବିପଦଗ୍ରସ୍ତ କରିଥାଏ । ସର୍ବୋପରି ସ୍ୱଚ୍ଛତା ଅଭାବରୁ ଗଣମାଧ୍ୟମ ପରିବେଶ ପ୍ରଦୂଷିତ ହୁଏ ।

 

ପଞ୍ଚମତଃ, ସୃଜନ ଉପଭୋକ୍ତା ସ୍ୱୀକୃତି-ଆଶ୍ରିତ । ଓଡ଼ିଆ ଭାଷାରେ ଉପଭୋକ୍ତା ସଂଖ୍ୟା କମ, ସ୍ୱଚ୍ଛ ନିବେଶ ଅଭାବ ଓ ସଂକୁଚିତ ଆୟ ଯୋଗୁଁ ଉତ୍କର୍ଷ ସାଧନରେ ଅସମର୍ଥ ବିଚାର କରିବା କଳୁଷିତ ମାନସିକତା । ଉଦାହରଣରେ, ଚାରିପୃଷ୍ଠା ବ୍ରଡ଼ସିଟ ମୁଦ୍ରିତ ସମ୍ୱାଦପତ୍ର ପାଠକ ଖଣ୍ଡ ପିଛା ଦଶ ଟଙ୍କା ଦେଇ କିଣିବେ । ଯଦି ପ୍ରତ୍ୟେକ ଧାଡ଼ି ପାଠନଯୋଗ୍ୟ ହୋଇଥିବ । ଓଡ଼ିଆ ସାମ୍ୱାଦିକତାର ପ୍ରାକକାଳରେ ‘ଉତ୍କଳ ଦୀପିକା’ର ବ୍ୟାବସାୟିକ ସାଫଲ୍ୟ ଓ ପ୍ରଭାବ ଶହେରୁ ଦେଢ଼ ଶହ ବର୍ଷ ତଳେ ଏହାର ପ୍ରମାଣ ଦେଇଛି । ଗଣମାଧ୍ୟମର ବାହ୍ୟ ଆଡ଼ମ୍ୱର ବଦଳରେ ଅନ୍ତଃସତ୍ତା ବ୍ୟାବସାୟିକ ସଫଳତା ଲାଗି ଅଧିକ ଗୁରୁତ୍ୱପୂର୍ଣ୍ଣ ।

 

ଆନ୍ତର୍ଜାତିକ ସୂଚ଼ନା ପ୍ରଦ୍ୟୋଗୀକି ପ୍ରତିଷ୍ଠାନ ‘ଏସେଞ୍ଚର’ ପକ୍ଷରୁ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା ଓ ଆଷ୍ଟ୍ରେଲିଆ ସମେତ ଦଶ ଗୋଟି ରାଷ୍ଟ୍ରର ଛଅ ହଜାର ଅନଲାଇନ ମନୋରଞ୍ଜନ ଉପଭୋକ୍ତାଙ୍କ ରୁଚ଼ି ଅନୁଧ୍ୟାନ କରିବା ନିମନ୍ତେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ଅକ୍ଟୋବର ଓ ନଭେମ୍ୱର ୨୦୨୨ ମଧ୍ୟରେ ସଂଗୃହୀତ ତଥ୍ୟରୁ ଜଣାଯାଇଥିଲା ଯେ ଭାରତର ୯୫ ପ୍ରତିଶତ ଓଟିଟି ଉପଭୋକ୍ତା ଗୋଟିଏ ମଞ୍ଚରେ ଷ୍ଟ୍ରୀମିଂ, ଇ-ସ୍ପୋର୍ଟ୍ସ, ସୋସିଆଲ ମିଡ଼ିଆ, ଇ-କମର୍ସ ସମସ୍ତ ବିଭବ ଚାହୁଁଛନ୍ତି । ଓଟିଟି ମଞ୍ଚରେ କୌଣସି କାର୍ଯ୍ୟକ୍ରମ ଖୋଜି ବାହାର କରିବା ନିମନ୍ତେ ଉପଭୋକ୍ତାଙ୍କୁ ହାରାହାରି ୧୦ ମିନଟ ଲାଗୁଛି ଏବଂ ୭୨ ପ୍ରତିଶତ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସର୍ବେକ୍ଷଣ ଆୟୋଜନର ବର୍ଷକ ପୂର୍ବରୁ ୩୫ ପ୍ରତିଶତ ଅନ୍ତତଃପକ୍ଷେ ଗୋଟିଏ ଓଟିଟି ମଞ୍ଚକୁ ଗ୍ରାହକ ଚାନ୍ଦା ଦେବାରୁ ବିରତ ରହିଥିବା ସ୍ଥଳେ ପରବର୍ତ୍ତୀ ବର୍ଷକ ମଧ୍ୟରେ ୨୬ ପ୍ରତିଶତ ବିଦାୟ ନେବା ସମ୍ଭାବନା ସ୍ୱୀକାର କରିଥିଲେ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଏବଂ ଓଡ଼ିଆ ଭାଷା ଭଳି କମ ଉପଭୋକ୍ତା ସଂପନ୍ନ ଓଟିଟି ମଞ୍ଚର ଅମୂଳଚୁଳ ସମ୍ପାଦକୀୟ ଓ ବ୍ୟାବସାୟିକ ମଡ଼େଲରେ ପରିବର୍ତ୍ତନ ଆବଶ୍ୟକ କରୁଥିବା କୁହାଯାଇପାରେ ।        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୭ ଅକ୍ଟୋବର ୨୦୨


ତଥ୍ୟ:

 

Kohli-Khandekar, Vanita. Streaming grows up. Business Standard (Bhubaneswar Edition). March 2, 2023.