ପ୍ରିଣ୍ଟ

ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ

ଭାରତୀୟ ସମ୍ୱାଦପତ୍ର ପ୍ରସାର ସଂଖ୍ୟା ଆନ୍ତର୍ଜାତିକସ୍ତରରେ ସର୍ବବୃହତ ବୋଲି ଦାବୀ କରାଯାଏ । କେନ୍ଦ୍ର ସରକାରଙ୍କ ରେଜିଷ୍ଟ୍ରାର ଅଫ ନିଉଜପେପରର୍ସ ଇନ ଇଣ୍ଡିଆର ବିବରଣୀ ଅନୁଯାୟୀ ୨୦୧୬ ମାର୍ଚ୍ଚମାସ ସୁଦ୍ଧା ଦେଶରେ ପ୍ରାୟ ୧୬ ହଜାର ଦୈନିକ ସମ୍ୱାଦପତ୍ର ଓ ୯୪ ହଜାର ସାମୟିକ ପତ୍ରିକା ପ୍ରକାଶିତ ହେଉଥିବା ଜଣାଯାଏ । ଦେଶରେ ୬୫ କୋଟି ଦୈନିକ ସମ୍ୱାଦପତ୍ର ପ୍ରସାରିତ ହେଉଥିବାବେଳେ ସେଥି ମଧ୍ୟରେ ୫୧ ପ୍ରତିଶତ ହିନ୍ଦି, ୩୮ ପ୍ରତିଶତ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ଓ ୧୧ ପ୍ରତିଶତ ଇଂଲିଶ ଦୈନିକ ସମ୍ୱାଦପତ୍ର ଅନ୍ତର୍ଭୁକ୍ତ ।


 

ସରକାରୀ ତଥ୍ୟ ଅନୁଯାୟୀ ଆଞ୍ଚଳିକ ଭାଷାର ଦୈନିକ ସମ୍ୱାଦପତ୍ର ମଧ୍ୟରେ କ୍ରମାନ୍ନୟରେ ଉର୍ଦ୍ଦୁ (୨୨ ପ୍ରତିଶତ), ମରାଠୀ (୧୬ ପ୍ରତିଶତ), ଗୁଜରାଟୀ (୧୨ ପ୍ରତିଶତ), ତେଲୁଗୁ (୧୨ ପ୍ରତିଶତ), ଓଡ଼ିଆ (୯ ପ୍ରତିଶତ), ମାଳାୟଳମ ( ୭ ପ୍ରତିଶତ), ତାମିଲ (୪ ପ୍ରତିଶତ), କନ୍ନଡ଼ (୩ ପ୍ରତିଶତ), ପଞ୍ଜାବୀ (୩ ପ୍ରତିଶତ) ଓ ଅନ୍ୟାନ୍ୟ ଭାଷା (୧୨ ପ୍ରତିଶତ) । ତେବେ କେତେକ ଭାଷାର ଦୈନିକ ସମ୍ୱାଦପତ୍ରର ପ୍ରସାର ସଂଖ୍ୟା ଦାବୀକୁ ନେଇ ସନ୍ଦେହ ଉପୁଜିଥାଏ ।


 

ଅଡ଼ିଟ ବ୍ୟୁରୋ ଅଫ ସର୍କୁଲେସନର ତଥ୍ୟ ଅନୁଯାୟୀ ୨୦୧୬ ମସିହାରେ ତାଙ୍କରି ସଂସ୍ଥାଦ୍ୱାରା ସମୀକ୍ଷା କରାଯାଇଥିବା ଆଞ୍ଚଳିକ ଭାଷାର ଦୈନିକ ସମ୍ୱାଦପତ୍ର ପ୍ରସାରଣ ସଂଖ୍ୟାର ଭିନ୍ନ ଚ଼ିତ୍ର ଉପସ୍ଥାପିତ ହୋଇଥାଏ । ଏବିସି ହିସାବ ଅନୁଯାୟୀ ମାଳାୟଳମ (୪୩ ଲକ୍ଷ ୨୧ ହଜାର), ତାମିଲ (୪୨ ଲକ୍ଷ ୨୮ ହଜାର), ତେଲୁଗୁ (୩୬ ଲକ୍ଷ ୭ ହଜାର), ମରାଠୀ (୩୩ ଲକ୍ଷ ୯୨ ହଜାର), ବଙ୍ଗାଳୀ (୨୯ ଲକ୍ଷ ୬୮ ହଜାର), କନ୍ନଡ଼ (୨୬ ଲକ୍ଷ ୧୬ ହଜାର), ଗୁଜରାଟୀ (୮ ଲକ୍ଷ ୯୧ ହଜାର), ପଞ୍ଜାବୀ (୭ ଲକ୍ଷ ୯୫ ହଜାର), ଓଡ଼ିଆ (୭ ଲକ୍ଷ ୨୦ ହଜାର), ଆସାମୀ (୩ ଲକ୍ଷ ୩୭ ହଜାର), ମଣିପୁରୀ (୧ ଲକ୍ଷ ୩୭ ହଜାର), ଉର୍ଦ୍ଦୁ (୧ ଲକ୍ଷ ୨୮ ହଜାର), ଖାସୀ (୩୫ ହଜାର) ଓ ନେପାଳୀ (୩୪ ହଜାର) କ୍ରମାନ୍ନୟରେ ପ୍ରସାରଣ ପ୍ରମାଣିତ ହୋଇଥିବା ସୂଚ଼ନା ମିଳେ ।


 

ଏବିସିର ତଥ୍ୟ ସରକାରୀ ତଥ୍ୟ ତୁଳନାରେ ଅଧିକ ବାସ୍ତବ ପ୍ରତୀୟମାନ ହେବା ସ୍ୱାଭାବିକ । କାରଣ ଆରଏନଆଇ ସମ୍ମୁଖରେ ସମ୍ୱାଦପତ୍ର ମାଲିକମାନେ ନିଜ ଆଡୁ ପ୍ରସାରଣ ସଂଖ୍ୟା ଉପସ୍ଥାପନ କରୁଥିବା ବେଳେ ଏବିସି ସମ୍ୱାଦପତ୍ରର ଉପସ୍ଥାପିତ ତଥ୍ୟକୁ ସଂପୃକ୍ତ ସଂସ୍ଥା ବିଧିବଦ୍ଧଭାବେ ସମୀକ୍ଷା କରି ପ୍ରମାଣପତ୍ର ପ୍ରଦାନ କରିଥାଏ । ବେସରକାରୀ ବିଜ୍ଞାପନଦାତାମାନେ ମୁଖ୍ୟତଃ ଏବିସି ପ୍ରସାରଣ ସଂଖ୍ୟାକୁ ହିଁ ବିଚ଼ାରକୁ ନେଇଥାନ୍ତି ।


 

ଏବିସି ହିସାବରେ ଦେଶର ସର୍ବାଧିକ ପ୍ରସାରିତ ୧୦ ଗୋଟି ଦୈନିକ ସମ୍ୱାଦପତ୍ର ମଧ୍ୟରେ (୧) ଦୈନିକ ଭାସ୍କର, (୨) ଦୈନିକ ଜାଗରଣ, (୩) ଅମର ଉଜାଲା – ତିନୋଟି ଯାକ ହିନ୍ଦି, (୪) ଦି ଟାଇମସ ଅଫ ଇଣ୍ଡିଆ – ଇଂଲିଶ, (୫) ହିନ୍ଦୁସ୍ତାନ – ହିନ୍ଦି, (୬) ମାଳାୟାଳା ମନୋରମା – ମାଳାୟଳମ, (୭) ଇନାଡୁ – ତେଲୁଗୁ, (୮) ରାଜସ୍ତାନ ପତ୍ରିକା – ହିନ୍ଦି, (୯) ଡ଼େଇଲି ତନ୍ତୀ – ତାମିଲ, (୧୦) ମାତୃଭୂମି – ମାଳାୟଳମ ସ୍ଥାନିତ ହୋଇଥାଏ ।


 

ଭାରତରେ ମୁଦ୍ରିତ ସମ୍ୱାଦପତ୍ର ଓ ପତ୍ରପତ୍ରିକା ଶିଳ୍ପକୁ ତିନିଗୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ଯଥା : ଇଂଲିଶ ସମ୍ୱାଦପତ୍ର, ହିନ୍ଦି ସମ୍ୱାଦପତ୍ର ଓ ଆଞ୍ଚଳିକ ଭାଷାର ସମ୍ୱାଦପତ୍ର । ସାମୂହିକ ଭାବେ ଏହି ଶିଳ୍ପରେ ୨୦୧୬ ମସିହାରେ ଶତକଡ଼ା ୭ ପ୍ରତିଶତ ଅଭିବୃଦ୍ଧି ଗଣତି କରାଯାଇଥିଲା । ଆଞ୍ଚଳିକ ସମ୍ୱାଦପତ୍ରଗୁଡ଼ିକ କ୍ଷେତ୍ରରେ ସର୍ବାଧିକ ୯.୪ ପ୍ରତିଶତ ଏବଂ ତା’ପରକୁ ହିନ୍ଦି ସମ୍ୱାଦପତ୍ର କ୍ଷେତ୍ରରେ ୮.୩ ଓ ଇଂଲିଶ ସମ୍ୱାଦପତ୍ର କ୍ଷେତ୍ରରେ ୩.୭ ପ୍ରତିଶତ ଅଭିବୃଦ୍ଧି ଘଟିଥିଲା ।


 

ଇଂଲିଶ ସମ୍ୱାଦପତ୍ର ଅଭିବୃଦ୍ଧି ବାଧାପ୍ରାପ୍ତ ହେବାର ବିବିଧ କାରଣ ରହିଛି । ପ୍ରଥମତଃ ଭାରତର ଜନସଂଖ୍ୟାର ୧୦ ପ୍ରତିଶତ ଇଂଲିଶ ଭାଷାରେ ଦକ୍ଷତା ହାସଲ କରୁଥିବା ହେତୁ ଇଂଲିଶ ସମ୍ୱାଦପତ୍ର ପ୍ରସାର କେବଳ ବଡ଼ ବଡ଼ ସହରରେ ସୀମାବଦ୍ଧ ରହୁଛି । ଦ୍ୱିତୀୟରେ ଇଂଲିଶ ଜାଣିଥିବା ବଡ଼ ସହରରେ ରହୁଥିବା ପାଠକମାନେ କ୍ରମଶଃ ଇଣ୍ଟରନେଟଭିତ୍ତିକ ଡ଼ିଜିଟାଲ ମିଡ଼ିଆ ଆଡ଼କୁ ମୁହାଁଉଛନ୍ତି । ତୃତୀୟରେ ୯୦ ପ୍ରତିଶତ ହିନ୍ଦି ଓ ଆଞ୍ଚଳିକ ଭାଷାଭାଷୀ ଜନସାଧାରଣଙ୍କ ମଧ୍ୟରେ ସାକ୍ଷରତା ଓ ଅର୍ଥନୀତିକ ଅଭିବୃଦ୍ଧି ସମ୍ୱାଦପତ୍ର ପଠନକୁ ପ୍ରୋତ୍ସାହିତ କରାଉଛି । ଚ଼ତୁର୍ଥରେ ସମ୍ୱାଦପତ୍ରଗୁଡ଼ିକ କ୍ରମଶଃ ସେମାନଙ୍କ ସମ୍ପାଦକୀୟ ନୀତି ଗଭୀର ଆଞ୍ଚଳିକଭିତ୍ତିରେ ପରିବର୍ତ୍ତିତ କରୁଥିବା, ଅର୍ଥାତ ଗାଁଗଣ୍ଡାର ସମ୍ୱାଦ ପ୍ରକାଶନକୁ ପ୍ରାଧାନ୍ୟ ଦେଉଥିବା ହେତୁ ପାଠକମାନେ ସେହିଭଳି ସମ୍ୱାଦପତ୍ର ପ୍ରତି ଆକୃଷ୍ଟ ହେଉଛନ୍ତି । ପଞ୍ଚମରେ ଜାତୀୟସ୍ତରରେ ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନମାନ ସହରକେନ୍ଦ୍ରୀକ ବ୍ୟବସାୟରୁ ଓହରି ଗ୍ରାମକେନ୍ଦ୍ରୀକ ବ୍ୟବସାୟ ପ୍ରତି ଧ୍ୟାନ ଦେଉଥିବା ଅବସରରେ ହିନ୍ଦି ଓ ଆଞ୍ଚଳିକ ଭାଷାର ସମ୍ୱାଦପତ୍ରଗୁଡ଼ିକର ବିଜ୍ଞାପନ ଅଭିବୃଦ୍ଧି ଘଟୁଛି । କ୍ରମଶଃ ସରକାରୀସ୍ତରରେ ସମ୍ୱାଦପତ୍ରରେ ବିଜ୍ଞାପନ ପ୍ରକାଶନକୁ ଗୁରୁତ୍ୱ ଦିଆଯିବା ନୀତି ମଧ୍ୟ ସ୍ଥାନୀୟ ସମ୍ୱାଦପତ୍ରଗୁଡ଼ିକର ରାଜସ୍ୱ ବୃଦ୍ଧିରେ ସହାୟକ ହୋଇପାରୁଛି ।


 

ଭାରତୀୟ ସମ୍ୱାଦପତ୍ରଗୁଡ଼ିକ ବିଜ୍ଞାପନ ରାଜସ୍ୱ ଉପରେ ନିର୍ଭରଶୀଳ । ୨୦୧୬ ମସିହା ବେଳକୁ ସର୍ବଭାରତୀୟସ୍ତରର ପ୍ରମୁଖ ବିଜ୍ଞାପନବ୍ରାଣ୍ଡଗୁଡିକ ମେଟ୍ରୋ ଓ ପ୍ରଥମସ୍ତରର ସହର ବଦଳରେ ଦ୍ୱିତୀୟ ଓ ତୃତୀୟସ୍ତର ସହରଗୁଡ଼ିକରେ ନିଜର ସାମଗ୍ରୀ ବିକ୍ରି ନିମନ୍ତେ ଲକ୍ଷ୍ୟସ୍ଥିର କରିଥିବାହେତୁ ହିନ୍ଦି ଓ ଆଞ୍ଚଳିକ ଭାଷାର ସମ୍ୱାଦପତ୍ରଗୁଡ଼ିକରେ ଅଧିକ ବିଜ୍ଞାପନ ବ୍ୟୟ କରିଥିବା ଦେଖାଯାଇଥିଲା । ଆମ ଦେଶରେ ସର୍ବାଧିକ ବିଜ୍ଞାପନ ବ୍ୟୟ କରୁଥିବା ପ୍ରଥମ ଦଶ ବର୍ଗ ମଧ୍ୟରେ କ୍ରମାନ୍ନୟରେ ଏଫଏମସିଜି, ଅଟୋ, ଏଜୁକେସନ, ରିଅଲ ଇଷ୍ଟେଟ, କ୍ଳଥିଙ୍ଗ-ଫ୍ୟାସନ-ଜୁଏଲରୀ, ଇ-କମର୍ସ, ଟେଲିକମ-ଇଣ୍ଟରନେଟ-ଡ଼ିଟିଏଚ଼, ରିଟେଲ, ବିଏଫଏସଆଇ ଓ ହାଉସହୋଲଡ଼ ଡ୍ୟୁରେବଲସ ଅର୍ନ୍ତଭୁକ୍ତ ।


 

ସମ୍ୱାଦପତ୍ରର ବିଜ୍ଞାପନ ଜାତୀୟ ଓ ଆଞ୍ଚଳିକ ଦୁଇ ସୂତ୍ରରୁ ସଂଗୃହୀତ ହୋଇଥାଏ । ଇଂଲିଶ ସମ୍ୱାଦପତ୍ର କ୍ଷେତ୍ରରେ ଜାତୀୟ ଓ ଆଞ୍ଚଳିକ ବିଜ୍ଞାପନ ପରିମାଣ ୮୦:୨୦ ରହୁଥିବା ବେଳେ ହିନ୍ଦି ଓ ଆଞ୍ଚଳିକ ସମ୍ୱାଦପତ୍ରଗୁଡ଼ିକ କ୍ଷେତ୍ରରେ ୬୦:୪୦ ହିସାବ କରାଯାଉଛି ।


 

୨୦୧୪ ମସିହା ନିର୍ବାଚ଼ନ ପରବର୍ତ୍ତୀ ଅବସ୍ଥାରେ ଦେଶରେ କେନ୍ଦ୍ର ଓ ପ୍ରାଦେଶିକସ୍ତରରେ ସରକାରୀ ବିଜ୍ଞାପନ ତ୍ୱରାନ୍ନିତ ହୋଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରସ୍ତରରେ ଡ଼ାଇରେକ୍ଟର ଅଫ ଏଡ଼ଭାଟାଇଜିଂ ଏଣ୍ଡ ଭିଜୁଆଲ ପବ୍ଳିସିଟି ଓ ରାଜ୍ୟସ୍ତରରେ ସଂପୃକ୍ତ ରାଜ୍ୟର ଇନଫରମେସନ ଏଣ୍ଡ ପବ୍ଳିକ ରିଲେସନ ଡ଼ିପାର୍ଟମେଣ୍ଟଗୁଡ଼ିକ ସରକାରୀ ବିଜ୍ଞାପନ ପରିଚ଼ାଳନା କରିଥାନ୍ତି । ତେବେ କେନ୍ଦ୍ରସ୍ତରରେ ଡ଼ିଏଭିପି ଦ୍ୱାରା ଅନୁମୋଦିତ ସମ୍ୱାଦପତ୍ରକୁ ବିଜ୍ଞାପନ ଦର ଅନେକ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ସରକାରଙ୍କ ସମ୍ୱାଦପତ୍ରକୁ ବିଜ୍ଞାପନ ପ୍ରଦାନ ନୀତିକୁ ପ୍ରଭାବିତ କରିଥାଏ ।


 

ଡ଼ିଏଭିପି ପକ୍ଷରୁ ୨୦୧୬ ମସିହାରେ ନୂତନ ବିଜ୍ଞାପନ ନୀତି ନିର୍ଦ୍ଧାରିତ ହୋଇଥିଲା । ସମ୍ୱାଦପତ୍ର କ୍ଷେତ୍ରରେ ୨୫ ହଜାର ଯାଏଁ ପ୍ରସାରିତ ଦୈନିକ ସମ୍ୱାଦପତ୍ର କ୍ଷୁଦ୍ର, ୨୫ ହଜାରରୁ ୭୫ ହଜାର ଯାଏଁ ପ୍ରସାରିତ ଦୈନିକ ମଧ୍ୟମ ଓ ୭୫ ହଜାରରୁ ଅଧିକ ପ୍ରସାରିତ ଦୈନିକ ବୃହତ ସମ୍ୱାଦପତ୍ରର ମାନ୍ୟତା ମିଳିଥାଏ । ମୋଟ ବିଜ୍ଞାପନ ବ୍ୟୟରୁ ଇଂଲିଶ ସମ୍ୱାଦପତ୍ରଗୁଡ଼ିକ ୩୦ ପ୍ରତିଶତ, ହିନ୍ଦି ସମ୍ୱାଦପତ୍ରଗୁଡ଼ିକ ୩୫ ପ୍ରତିଶତ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ସମ୍ୱାଦପତ୍ରଗୁଡ଼ିକ ୩୫ ପ୍ରତିଶତ ବିଜ୍ଞାପନ ପାଇଥାନ୍ତି ।


 

ତେବେ ଗ୍ରାମାଞ୍ଚଳରେ ଇଣ୍ଟରନେଟ ପ୍ରବେଶ, ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ଓ ଆଞ୍ଚଳିକ ଭାଷାରେ ସୋସିଆଲ ମିଡ଼ିଆର ଉପଯୋଗ ଆଗାମୀ କିଛି ବର୍ଷ ମଧ୍ୟରେ ଉପରବର୍ଣ୍ଣିତ ସାଂପ୍ରତିକ ସ୍ଥିତାବସ୍ଥାକୁ ବଦଳାଇ ଦେବାର ଉପାଦାନମାନ ଭରିରହିଛି ବୋଲି କହିବା ଅଯୌକ୍ତିକ ମନେ ହୋଇନପାରେ । ଭାରତରେ ସେପ୍ଟେମ୍ୱର ୨୦୧୭ ସୁଦ୍ଧା ୪୩ କୋଟି ଇଣ୍ଟରନେଟ ସଂଯୋଗ ଉପଲବ୍ଧ ଥିଲା । ଓଡ଼ିଶାରେ ଅର୍ଦ୍ଧେକ ଗ୍ରାମପଞ୍ଚାୟତରେ ବ୍ରଡ଼ବ୍ୟାଣ୍ଡ ସୁବିଧା ପହଞ୍ଚିଥିବାବେଳେ ୨୦୨୦ ସୁଦ୍ଧା ସବୁ ଗ୍ରାମପଞ୍ଚାୟତରେ ସଂଯୋଗ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ଅକ୍ଟୋବର ୨୦୧୭ ଅନୁଶୀଳନ ଅନୁଯାୟୀ ଦେଶରେ ଜଣେ ସ୍ମାର୍ଟଫୋନ ବ୍ୟବହାରକାରୀ ଦୈନିକ ଚ଼ାରିଘଣ୍ଟା ଇଣ୍ଟରନେଟ ମଞ୍ଚରେ କାଟୁଥିବା ହିସାବ କରାଯାଉଛି । ବିକଶିତ ରାଷ୍ଟ୍ରଗୁଡ଼ିକରେ କ୍ରମଶଃ ଅଧିକରୁ ଅଧିକ ଲୋକ ସୋସିଆଲ ମିଡ଼ିଆରୁ ସମ୍ୱାଦ ସଂଗ୍ରହ କରୁଥିବା ତଥା ସୋସିଆଲ ମିଡ଼ିଆରେ ଗଭୀରରୁ ଗଭୀରଭାବେ ସ୍ଥାନୀୟ ସମ୍ୱାଦ ପରିବେଷଣର ସୁବିଧା ହେତୁ ମୁଦ୍ରିତ ସମ୍ୱାଦପତ୍ର ବଦଳରେ ମୋବାଇଲ ପର୍ଦ୍ଦା କ୍ରମଶଃ ଲୋକପ୍ରିୟ ମଞ୍ଚରୂପେ ମୁଣ୍ଡଟେକିବାରେ ଯଥାର୍ଥତାକୁ ଏଡ଼ାଇଦେଇ ହେବନାହିଁ ।


 

ଆନ୍ତର୍ଜାତିକସ୍ତରରେ ବିଗତ ଦଶକରେ ଡ଼ିଜିଟାଲ ମିଡ଼ିଆ ସାମ୍ନାରେ ମୁଦ୍ରିତ ସମ୍ୱାଦପତ୍ରର ଆତ୍ମସମର୍ପଣର ଅଭିଜ୍ଞତା ସତ୍ତ୍ୱେ ଆମ ଦେଶରେ ସମ୍ୱାଦପତ୍ରର ସୁରକ୍ଷା କ୍ଷେତ୍ରରେ ଦୁଇଗୋଟି ବିଶିଷ୍ଟ କାରଣ ଦର୍ଶାଯାଇଥାଏ । ପ୍ରଥମରେ ଆମ ଦେଶରେ ସମ୍ୱାଦପତ୍ର ଶସ୍ତା ଏବଂ ଦ୍ୱିତୀୟରେ ସମ୍ୱାଦପତ୍ର ପାଠକଙ୍କ ନିକଟରେ ପହୁଞ୍ଚାଇଦେବାର ସୁବିଧା ବିଦେଶରେ ଉପଲବ୍ଧ ନୁହେ ବୋଲି କୁହାଯାଇଥାଏ । ତେବେ ମୋବାଇଲ ଫୋନରେ ଡ଼ାଟା ବ୍ୟବହାର ଦର କମି ଆସିବା ତଥା ମୋବାଇଲ ଫୋନ ଯେକୌଣସି ପରିବେଶରେ ଉପଭୋକ୍ତାଲାଗି ଉପଲବ୍ଧ ହେଉଥିବା ପରିବର୍ତ୍ତିତ ପରିସ୍ଥିତି ଉପରୋକ୍ତ ଯୁକ୍ତିର ବିରୁଦ୍ଧାଚ଼ରଣ କରୁ ନାହିଁକି ?


 

ଭାରତର ଗ୍ରାମାଞ୍ଚଳରେ ଇଣ୍ଟରନେଟ ପ୍ରବେଶ ଓ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ସେଠାକାର ନିରକ୍ଷର ଓ ନବସାକ୍ଷରମାନଙ୍କୁ ଫୋନ ପରଦାରେ ପାଠ୍ୟ ବା ଟେକ୍ସଟ ବଦଳରେ ଛବି ବା ଭିଡ଼ିଓ ମାଧ୍ୟମରେ ସମ୍ୱାଦ ପ୍ରତି  ଆକର୍ଷିତ କରିବା ବିକଳ୍ପ ଧାରା ଲୋକପ୍ରିୟ ହେବ ବୋଲି ଆଶା କରାଯାଇପାରେ । ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ଇଣ୍ଟରନେଟ ମଞ୍ଚରେ ମୁଦ୍ରିତ ସମ୍ୱାଦପତ୍ରର ଉପସ୍ଥିତି ସଂପର୍କରେ ଆସନ୍ତା ସପ୍ତାହରେ ଆଲୋଚ଼ନା କରିବା । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅକ୍ଟୋବର ୨୦୧

ସମ୍ୱାଦପତ୍ର ମୁଦ୍ରଣ କାଗଜ ସଂକଟ

ଭାରତୀୟ ସମ୍ୱାଦପତ୍ର ଶିଳ୍ପ ସଂକଟର ପରିଧିରୁ ମୁକ୍ତି ପାଇପାରୁ ନାହିଁ  । ମହାମାରୀ ପୂର୍ବରୁ ବିଜ୍ଞାପନ ଆୟ, ଗୁଣବତ୍ତା ଓ ବିଶ୍ୱନୀୟତା ହ୍ରାସ ଭଳି ସମସ୍ୟାରେ ଛନ୍ଦି ହୋଇପଡ଼ିଥିବା ସ୍ଥଳେ ମହାମାରୀରେ ଦୀର୍ଘକାଳବ୍ୟାପୀ ସାଧାରଣ ଜୀବନ ବନ୍ଦ ପରିବେଶ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ କରାଇଥିଲା । ଭୂତାଣୁ ସଂକ୍ରମଣ ଦ୍ୱିତୀୟ ତରଙ୍ଗ ଉତ୍ତାରେ ୨୦୨୧ ଦ୍ୱିତୀୟାର୍ଦ୍ଧରେ ଜନଜୀବନ କ୍ରମଶଃ ସ୍ୱାଭାବିକ ଅବସ୍ଥାକୁ ଫେରିବା ଅବସରରେ ମୁଦ୍ରିତ ସମ୍ୱାଦପତ୍ର ପ୍ରସାର ଓ ବିଜ୍ଞାପନ ଆୟ ସଜାଡ଼ିବାରେ ଲାଗି ପଡିଥିଲା । ଏହି ସମୟସୀମାରେ ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ସମ୍ୱାଦପତ୍ର ମୁଦ୍ରଣ କାଗଜ ଆମଦାନୀଜନିତ ସମସ୍ୟା ଓ ମୂଲ୍ୟ ବୃଦ୍ଧି ପୁଣି ସଂକଟ ମଧ୍ୟକୁ ଟାଣି ଆଣିଥିଲା ।

 

ସମ୍ୱାଦପତ୍ର ପ୍ରସ୍ତୁତିରେ ମୁଦ୍ରଣ କାଗଜ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ଭାରତରେ ବ୍ୟବହୃତ ମୁଦ୍ରଣ କାଗଜର ଅର୍ଦ୍ଧେକ ବିଦେଶରୁ ଆମଦାନୀ ହୋଇଥାଏ । ମୋଟାମୋଟି ଭାବେ ଋଷରୁ ୪୦ ପ୍ରତିଶତ, କାନାଡ଼ାରୁ ୪୫ ପ୍ରତିଶତ ଓ ଫିନଲ୍ୟାଣ୍ଡରୁ ୧୫ ପ୍ରତିଶତ ଆମଦାନୀ ହିସାବ କରାଯାଏ । ଋଷ-ୟୁକ୍ରେନ ଯୁଦ୍ଧ ୨୦୨୨ ଫେବୃୟାରୀ ଶେଷ ସପ୍ତାହରୁ ଆରମ୍ଭ ହେବା ଏବଂ ପାଶ୍ଚାତ୍ୟ ଭୂଖଣ୍ଡର ‘ନାଟୋ’ ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକ ଋଷ ଉପରେ ଅର୍ଥନୀତିକ ବାସନ୍ଦ ଲାଗୁ କରିବାପରେ ଋଷରୁ ଭାରତକୁ ମୁଦ୍ରଣ କାଗଜ ଆମଦାନୀ ବାଧାପ୍ରାପ୍ତ ହୋଇ ମାର୍ଚ୍ଚ ୨୦୨୨ ସୁଦ୍ଧା ସମ୍ୱାଦପତ୍ର ଶିଳ୍ପକୁ ପ୍ରଭାବିତ କରିଥିଲା ।

 

ବାସନ୍ଦ ବ୍ୟବସ୍ଥା କାର୍ଯ୍ୟକାରୀ ହେବାପରେ ଆନ୍ତର୍ଜାତିକ ଜାହଜ ଚଳାଚଳ କମ୍ପାନୀଗୁଡ଼ିକ ଋଷ ବନ୍ଦରରୁ ମାଲ ପରିବହନ ନିମନ୍ତେ ରାଜି ହେଲେ ନାହିଁ । ଫଳରେ ଋଷର ସେଣ୍ଟ ପିଟସବର୍ଗ ବନ୍ଦରରେ ମାଲ ପଡ଼ିରହିଲା । ଅପରପକ୍ଷେ କାନାଡ଼ାରେ ସରକାରୀ କୋଭିଡ଼ କଟକଣାକୁ କେନ୍ଦ୍ରକରି ଟ୍ରକ ଚାଳକମାନେ ୨୦୨୨ ଫେବୃୟାରୀରେ ଧର୍ମଘଟ କଲେ । ଫଳରେ ସ୍ଥାନୀୟ କଳକାରଖାନା କାରବାରରେ ବିଘ୍ନ ସୃଷ୍ଟି ହୋଇଥିଲା । ସ୍ୱାଭାବିକଭାବେ କାନାଡ଼ାରୁ ଭାରତକୁ ଆମଦାନୀ ଉପରେ ପ୍ରଭାବ ପଡ଼ିଲା । ସେହିପରି ଫିନଲ୍ୟାଣ୍ଡରୁ ଭାରତ ମୁଖ୍ୟତଃ ଗ୍ଳେଜଡ଼ ନିଉଜପ୍ରିଣ୍ଟ ଆମଦାନୀ କରେ । ସେଠାକାର ପ୍ରମୁଖ କାଗଜକଳର ଶ୍ରମିକମାନେ ଦୀର୍ଘ ଦିନ ଧରି ଧର୍ମଘଟ କରିବାରୁ କାଗଜ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା ।

 

ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ଋଷ-ୟୁକ୍ରେନ ଯୁଦ୍ଧ ହେତୁ ଶକ୍ତି ଓ ପ୍ରାକୃତିକ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ବିଶ୍ୱବ୍ୟାପୀ ଦର ବୃଦ୍ଧି ଘଟିଲା । କାଗଜ କଳରେ ପ୍ରାୟ ୩୦ ପ୍ରତିଶତ ଖର୍ଚ୍ଚ ଇନ୍ଧନରେ ଯାଏ । ଏହି କାରଣରୁ ବିଶ୍ୱ ବଜାରରେ କାଗଜ ଦର ବୃଦ୍ଧି ପାଇଲା । କୋଭିଡ଼ କାଳରେ କଳକାରଖାନା, ପରିବହନ ବନ୍ଦ, କର୍ମଚାରୀ ଅଭାବ ଇତ୍ୟାଦି କାରଣରୁ କାଗଜ ଦୁର୍ମୂଲ୍ୟ ହୋଇପଡ଼ିଥିଲା । ସେହି କ୍ଷତରେ ନୂତନ ପ୍ରତିବନ୍ଧକ ମଲମ ବୋଳିବା ସଦୃଶ୍ୟ ପ୍ରତୀୟମାନ ହେଲା ।

 

ଆନ୍ତର୍ଜାତିକସ୍ତରରେ କାଗଜ ଉତ୍ପାଦନ ମହାମାରୀ ଅବସ୍ଥାରେ ପ୍ରଭାବିତ ହୋଇଥିଲା । ଏକ ହିସାବ ଅନୁଯାୟୀ ବିଶ୍ୱ କାଗଜ ଉତ୍ପାଦନ ମହାମାରୀ-ପୂର୍ବାବସ୍ଥା ୨୦୧୭ରେ ୨ କୋଟି ୩୫ ଲକ୍ଷ  ଟନ ଥିବା ସ୍ଥଳେ ୨୦୨୨ରେ ଏକ କୋଟି ୩୬ ଲକ୍ଷକୁ କମି ଆସିଥିଲା । ଉତ୍ପାଦନ ହ୍ରାସ ଦରବୃଦ୍ଧିର ଅନ୍ୟତମ କାରଣ । ଏଥି ସହ ବିଦେଶରୁ ଆମଦାନୀ ନିମନ୍ତେ ପରିବହନ ଖର୍ଚ୍ଚ ମଧ୍ୟ ଏହି ସମୟସୀମାରେ ପ୍ରାୟ ଦୁଇ ଗୁଣ ବଢ଼ିଯାଇଥିଲା । ଉଦାହରଣରେ ଏକ ଚାଳିଶି ବର୍ଗ ଫୁଟ କଣ୍ଟେନରରେ ଜଳପଥରେ ପରିବହନ ଲାଗି ୧୬୦୦ ରୁ ୧୮୦୦ ଡ଼ଲାର ଖର୍ଚ୍ଚ ହେଉଥିବା ସ୍ଥଳେ ତାହା ୩୬୦୦ ଡ଼ଲାରକୁ ବୃଦ୍ଧି ପାଇଥିଲା ।

 

ବିଶେଷଜ୍ଞଙ୍କ ହିସାବ ଅନୁଯାୟୀ ଆନ୍ତର୍ଜାତିକ ବଜାରରେ ଜାନୁୟାରୀ ୨୦୨୦ରେ ସମ୍ୱାଦପତ୍ର ମୁଦ୍ରଣ କାଗଜ ଟନ ପିଚ୍ଛା ୩୦୦ ଆମେରେକୀୟ ଡ଼ଲାର ଥିବା ସ୍ଥଳେ ମାର୍ଚ୍ଚ ୨୦୨୨ରେ ୯୫୦ରୁ ୧,୦୦୦ ଡ଼ଲାର ଛୁଇଁଥିଲା । କୁହାଯାଉଛି ଯେ ଭାରତୀୟ ସମ୍ୱାଦପତ୍ର ଶିଳ୍ପ ବିଗତ ଚାରି ଦଶକରେ ମୁଦ୍ରଣ କାଗଜ ସଂପର୍କୀତ ନେଇ ଏହି ଧରଣର ସଂକଟରେ କେବେ ପଡ଼ିନଥିଲା । ଶେଷଥର ୧୯୭୪ରେ ମୁଦ୍ରଣ କାଗଜ ଆମଦାନୀକୁ ନେଇ ସମସ୍ୟା ଉପୁଜିଥିଲା । ଭାରତରେ ଅଢ଼େଇ ଶହରୁ ଅଧିକ ବ୍ୟାବସାୟିକ ପ୍ରତିଷ୍ଠାନ ପ୍ରାୟ କୋଡ଼ିଏ ହଜାର ସିପମେଣ୍ଟରେ ବିଦେଶରୁ ସମ୍ୱାଦପତ୍ର ମୁଦ୍ରଣ କାଗଜ ଆମଦାନୀ କରିଥାନ୍ତି ।

 

ଆନ୍ତର୍ଜାତିକସ୍ତରରେ କାନାଡ଼ାରେ ସର୍ବାପେକ୍ଷା ଅଧିକ କାଗଜ ଉତ୍ପାଦନ ହୋଇଥାଏ । ଏହାପରକୁ କ୍ରମାନ୍ୱୟରେ ଜାପାନ, ଜର୍ମାନୀ, ଦକ୍ଷିଣ କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନ । ଭାରତରେ ୧୨୫ ଗୋଟି କାଗଜକଳ ରେଜିଷ୍ଟ୍ରୀଭୁକ୍ତ ହୋଇଥିବା ସ୍ଥଳେ ସେଥି ମଧ୍ୟରୁ ୪୬ ଗୋଟି ବନ୍ଦ ହୋଇଯାଇଥିବା ଜଣାଯାଏ । ସେହିପରି ୬୨ ଗୋଟି କାଗଜକଳ ସମ୍ୱାଦପତ୍ର ମୁଦ୍ରଣ କାଗଜ ଉତ୍ପାଦନ କରୁଥିବା ସ୍ଥଳେ ୩୬ ଗୋଟି ସକ୍ରିୟ ଏବଂ ୨୩ ଗୋଟି ବନ୍ଦ ଅବସ୍ଥାରେ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ରହିଥିଲା ।

 

ଭାରତୀୟ ସମ୍ୱାଦପତ୍ର ନିମନ୍ତେ ସ୍ଥାନୀୟ କାଗଜକଳଗୁଡ଼ିକ ୫୦ ପ୍ରତିଶତ ଯାଏଁ କାଗଜ ଯୋଗାଉଥିଲେ ହେଁ ଏହାର ଗୁଣବତ୍ତା ପସନ୍ଦଯୋଗ୍ୟ ହୋଇନଥାଏ । ସାଧାରଣରେ ଏହା ମୋଟା ଏବଂ ରୋଟାରି ମୁଦ୍ରଣଯନ୍ତ୍ରରେ ବାରମ୍ୱାର ଛିଡ଼ିଯାଇଥାଏ । ସମ୍ୱାଦପତ୍ର ଶିଳ୍ପରେ ସ୍ଥାନୀୟ ଉତ୍ପାଦନର କାଟତି ନଥିବା ହେତୁ କାଗଜକଳଗୁଡ଼ିକ ସମ୍ୱାଦପତ୍ର ମୁଦ୍ରଣ କାଗଜ ସହ ଅନ୍ୟାନ୍ୟ କାଗଜ ଉତ୍ପାଦନ ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ପରିଲକ୍ଷିତ । ଇ-କମର୍ସର କ୍ରମବିକାଶରେ ଜିନିଷପତ୍ର ବନ୍ଧେଇ ‘ପ୍ୟାକେଜିଂ’ ପାଇଁ ଆବଶ୍ୟକ କାଗଜର ଚାହିଦା ବଢ଼ିଥିବାରୁ ସେଦିଗରେ ମନୋନିବେଶ କରିଥିଲେ । ଆମଦାନୀ ବନ୍ଦ ସମୟରେ ଏହା ସମ୍ୱାଦପତ୍ରକୁ ଅଧିକ ମୁଦ୍ରଣ କାଗଜ ଯୋଗାଣର ଦ୍ୱାର ବନ୍ଦ କରିଦେଇଥିଲା ।

 

ଏହି ସବୁ ସମସ୍ୟା ସାଙ୍ଗକୁ କେନ୍ଦ୍ର ସରକାର ସମ୍ୱାଦପତ୍ର ମୁଦ୍ରଣ କାଗଜ ଆମଦାନୀ ଉପରେ ପାଞ୍ଚ ପ୍ରତିଶତ ଟିକସ ପୂର୍ବ ବଜେଟରେ ଲାଗୁ କରିଥିଲେ । ତେବେ ସଂକଟଜନକ ପରିସ୍ଥିତିରେ କାଗଜ ଦର ଦୁଇଗୁଣ ବଢ଼ି ଯାଇଥିବା ହେତୁ ଆନୁପାତିକ ଭାବେ ଟିକସ ପରିମାଣ ମଧ୍ୟ ବୃଦ୍ଧିପ୍ରାପ୍ତ ହୋଇଥିଲା । ସମ୍ୱାଦପତ୍ର ଶିଳ୍ପ ପକ୍ଷରୁ ଏହି ଟିକସ ପ୍ରତ୍ୟାହାର ନିମନ୍ତେ ଦାବୀ କରାଯାଇଥିଲେ ମଧ୍ୟ ସରକାରଙ୍କ ଆତ୍ମନିର୍ଭର ନୀତିରେ କାର୍ଯ୍ୟକାରୀ ହୋଇପାରୁ ନଥିବା ଅନୁମାନ କରାଯାଉଛି ।

 

ଭାରତୀୟ ସମ୍ୱାଦପତ୍ର ଶିଳ୍ପରେ ମୁଦ୍ରଣ କାଗଜ ଅଭାବ ଓ ଦରବୃଦ୍ଧିକୁ ମୁକାବିଲା ନିମନ୍ତେ ତତ୍ କ୍ଷଣାତ ମୋଟା କାଗଜ ବଦଳରେ ପତଳା କାଗଜ ବ୍ୟବହାର ଆରମ୍ଭ କରାଯାଇଥିଲା । କିନ୍ତୁ କେବଳ ଏହି ଉପାୟ ଅଲମ୍ୱନରେ ସମସ୍ୟା ସମାଧାନ ହେବା ସଂଭବ ନଥିବା ସ୍ଥଳେ ଅନ୍ୟ କେତେଗୋଟି ଦିଗ ପ୍ରତି ଧ୍ୟାନ ଦେବା ସମୟ ଉପନୀତ । ପ୍ରଥମତଃ, ୧୨ରୁ ୧୬ ପୃଷ୍ଠା ମୁଦ୍ରିତ ସମ୍ୱାଦପତ୍ରର ଖଣ୍ଡ ପିଛା ପ୍ରସ୍ତୁତି ଖର୍ଚ୍ଚ ୧୨ ରୁ ୧୫ ଟଙ୍କା ପଡୁଥିବା ସ୍ଥଳେ ବିତରକ କମିସନ ସହ ସାତ ଟଙ୍କାରେ ଗ୍ରାହକଙ୍କୁ ବିକ୍ରୀ ହୁଏତ ବ୍ୟାବସାୟିକସ୍ତରରେ ଦୀର୍ଘକାଳ ପାଇଁ ସଂଭବ ନୁହେ । ସୋସିଆଲ ମିଡ଼ିଆ ଓ ଇ-କମର୍ସର ପ୍ରସାର ପରେ ବିଜ୍ଞାପନ ବ୍ୟୟ ଡିଜିଟାଲ ମଞ୍ଚ ମୁହାଁ ହୋଇଚାଲିଥିବା ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକୁ ସମ୍ୱାଦ ଓ ବିଜ୍ଞାପନ ମଧ୍ୟରେ କ୍ରମବିକଶିତ ପ୍ରାୟୋଜିତ ସମ୍ୱାଦରୁ ଆୟ ଯୋଡ଼ିବାକୁ ପଡ଼ିବ ।

 

ଉଦାହରଣରେ ଆଞ୍ଚଳିକ ସମ୍ୱାଦପତ୍ରଗୁଡ଼ିକରେ ଅନ୍ୟୂନ ୩୦ ରୁ ୪୦ ପ୍ରତିଶତ ସମ୍ୱାଦ ପ୍ରୟୋଜିତ ପ୍ରତୀୟମାନ ହୋଇଥାଏ । ଏହି ପ୍ରକ୍ରିୟାକୁ ବିଧିବଦ୍ଧ ମାନ୍ୟତା ଦେଇ ସ୍ୱଚ୍ଛ ହିସାବରେ ସମ୍ୱାଦପତ୍ରର ଆୟ ସହିତ ଯୋଡ଼ିଲେ ଆର୍ଥିକ ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ସଂଭବ । ଆନ୍ତର୍ଜାତିକସ୍ତରରେ ବହୁ ରାଷ୍ଟ୍ରରେ, ମୁଖ୍ୟତଃ ବିକାଶଶୀଳ ଅର୍ଥନୀତିର ସମ୍ୱାଦମଞ୍ଚରେ ପ୍ରାୟୋଜିତ ସମ୍ୱାଦ ପ୍ରଚଳନ ରହିଛି । ସମ୍ୱାଦପତ୍ର ବ୍ୟାବସାୟିକ କାରଣରୁ ଅସ୍ତିତ୍ୱ ରକ୍ଷା ସମସ୍ୟାରେ ଉପନୀତ ହୋଇଥିବା ଅବସରରେ ପ୍ରାୟୋଜିତ ସମ୍ୱାଦ ବୈଧୀକରଣକୁ ଏକ ବଳିଷ୍ଠ ପଦକ୍ଷେପ ରୂପେ ଗ୍ରହଣ କରାଯାଇପାରେ । ସମ୍ୱାଦ ସହ ବିଜ୍ଞାପନ ଯଦି ଦୁଇଶହ ବର୍ଷ ଧରି ସମ୍ୱାଦପତ୍ର ପୃଷ୍ଠାରେ ଯୋଡ଼ି ହୋଇପାରିଲା, ତେବେ ବର୍ଗୀକୃତ ପ୍ରାୟୋଜିତ ସମ୍ୱାଦ ପ୍ରକାଶନ ସମ୍ୱାଦପତ୍ର ଶିଳ୍ପ, ସାମ୍ୱାଦିକଙ୍କ ସ୍ୱାର୍ଥରକ୍ଷା ଓ ଗୁଣାତ୍ମକ ସମ୍ୱାଦ ପ୍ରସାରରେ ସହାୟକ ହେବା ବିଚାର କରାଯାଇପାରେ । ଏଣିକି ସମ୍ୱାଦ, ସମ୍ୱାଦ-ପ୍ଳସ ଓ ବିଜ୍ଞାପନ ତିନିଗୋଟି ଭାଗରେ ଦୈନିକ ସମ୍ୱାଦପତ୍ର ଆଙ୍ଗିକ ବିନ୍ୟାସ ଆବଶ୍ୟକ ।

 

‘ଇଣ୍ଡିଆନ ନିଉସପେପରର୍ସ ସୋସାଇଟି’ର ସଭାପତି ମୋହିତ ଜୈନଙ୍କ ହିନ୍ଦି ଦୈନିକ ‘ପ୍ରଭାତ ଖବର’ ୨୯ ମାର୍ଚ୍ଚ ୨୦୨୨ ସଂସ୍କରଣରେ ପ୍ରକାଶିତ ହିସାବରେ ମହାମାରୀ-ପୂର୍ବାବସ୍ଥାରେ ଭାରତରେ ଚବିଶି ଲକ୍ଷ ଟନ ବୈଦେଶିକ ସମ୍ୱାଦପତ୍ର ମୁଦ୍ରଣ କାଗଜ ଆମଦାନୀ ହେଉଥିବା ସ୍ଥଳେ ମାହାମାରୀ-ପର ଅବସ୍ଥାରେ ଚଉଦ ଲକ୍ଷ ଟନକୁ ଖସି ଆସିଥିଲା । ପରିବହନ ଓ ମୂଲ୍ୟବୃଦ୍ଧି କ୍ଷେତ୍ରରେ ଦେଖାଦେଇଥିବା ସଂକଟଜନକ ପରିସ୍ଥିତି ବର୍ଷକ ଯାଏଁ ବଳବତ୍ତର ରହିବା ସେ ଆଶା କରିଥିଲେ । ଏହି ପରିବେଶର ସଫଳ ମୁକାବିଲା ନିମନ୍ତେ କମ ଓଜନର ନିକୃଷ୍ଟମାନର କାଗଜ ବ୍ୟବହାର, ପୃଷ୍ଠା ସଂଖ୍ୟା ହ୍ରାସ କିମ୍ୱା ଗ୍ରାହକଚାନ୍ଦା ବୃଦ୍ଧି ବଦଳରେ ସଂପାଦକୀୟ ନୀତି ପରିବର୍ତ୍ତନ ଉପାଦେୟ ମନେହୁଏ ।

 

ମୁଦ୍ରିତ ସମ୍ୱାଦପତ୍ରରେ ଅନାବଶ୍ୟକ ସମ୍ୱାଦ ପ୍ରକାଶନକୁ ନିରୁତ୍ସାହିତ କରାଯାଇ ଗୁଣବତ୍ତା ବିକାଶ ସମୟର ଆହ୍ୱାନ । ନୀତିଗତଭାବେ ପ୍ରେସ ବିଜ୍ଞପ୍ତିଗୁଡ଼ିକୁ ପ୍ରାୟୋଜିତ ସମ୍ୱାଦ ବର୍ଗୀକୃତକରି ବିଜ୍ଞାପନ ଶୁଳ୍କ ଆଦାୟ କଲେ ସମ୍ୱାଦପତ୍ର ଅର୍ଥନୀତିରେ କେତେକାଂଶରେ ସୁଧାର ସମ୍ଭବ । ଏକ ପକ୍ଷରେ ପ୍ରଚାରଧର୍ମୀ ସମ୍ୱାଦ ମୁଦ୍ରଣ ଓ ବିତରଣ ଖର୍ଚ୍ଚ ପାଠକଙ୍କୁ ବହନ କରିବା ନିମନ୍ତେ ବାଧ୍ୟ ନ କରାଯାଇ ଅପରପକ୍ଷରେ ମୁଦ୍ରିତ ସମ୍ୱାଦପତ୍ରରେ ମୂଲ୍ୟ ବିନିମୟରେ ସର୍ବସାଧାରଣଙ୍କୁ ନିଜ ପକ୍ଷ ଆଧାରିତ ସମ୍ୱାଦ ପ୍ରକାଶନର ସୁଯୋଗ ପ୍ରଦାନ ଉନ୍ନତ ଗଣତାନ୍ତ୍ରିକ ମୂଲ୍ୟବୋଧରେ ପର୍ଯ୍ୟବସିତ ହେବ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଏପ୍ରିଲ ୨୦୨୨


ତଥ୍ୟ :

 

ପ୍ରଭାତ ଖବର (ରାଞ୍ଚି ସଂସ୍କରଣ) ମାର୍ଚ୍ଚ ୨୯, ୨୦୨୨

ଓଡ଼ିଶାରେ ସମ୍ୱାଦପତ୍ର ପ୍ରକାଶନ

ଭାରତରେ ପ୍ରକାଶିତ ସମସ୍ତ ସମ୍ୱାଦପତ୍ରର ପ୍ରକାଶକ ‘ପ୍ରେସ ଏଣ୍ଡ ରେଜିଷ୍ଟ୍ରେସନଅଫ ବୁକ୍ସ ଏକ୍ଟ, ୧୮୬୭’ ଅନୁଯାୟୀ ‘ରେଜିଷ୍ଟରାର ଅଫ ନିଉଜପେପର୍ସଇନ ଇଣ୍ଡିଆ, ନୂଆଦିଲ୍ଲୀ’ଙ୍କ ଠାରେ ବାର୍ଷିକ ପ୍ରକାଶନ ବିବରଣୀ ଦାଖଲ କରିବାକୁ ବାଧ୍ୟ । ଏହା ଦେଶର ସବୁଠାରୁ ପୁରୁଣା ଗଣମାଧ୍ୟମ ସଂକ୍ରାନ୍ତୀୟ ଆଇନ । ରେଜିଷ୍ଟରାର ସଂଗୃହୀତ ତଥ୍ୟାବଳୀ ଆଧାରରେ ପ୍ରସ୍ତୁତ ବିବରଣୀ ପ୍ରତିବର୍ଷ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥାନ୍ତି । ଅନ୍ୟାନ୍ୟ ରାଜ୍ୟ ସହ ଓଡ଼ିଶାରେ କେତେ ସଂଖ୍ୟାରେ ସମ୍ୱାଦପତ୍ର ପ୍ରକାଶିତ ହେଉଛି ସେ ସଂପର୍କରେ ତଥ୍ୟ ଏହି ବିବରଣୀ ତଥା ରେଜିଷ୍ଟରାରଙ୍କ ୱେବ ସାଇଟରେପାଇହୁଏ ।


 

ଏତଦ୍ବ୍ୟତୀତ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମ୍ୱାଦପତ୍ର ଓ ଅନ୍ୟାନ୍ୟ ଗଣମାଧ୍ୟମ ମଞ୍ଚ ଗୁଡ଼ିକୁ ନିୟମିତ ବିଜ୍ଞାପନ ପ୍ରଦାନ କରୁଥିବା ହେତୁ ସଂପୃକ୍ତବିତରକ ବିଭାଗଠାରେ ବିଜ୍ଞାପନ ଗ୍ରହୀତା ପ୍ରକାଶନ ଗୁଡ଼ିକୁପଞ୍ଜୀକରଣ କରିବାକୁ ପଡିଥାଏ । ଏହି କାରଣରୁ ସେମାନଙ୍କଠାରେ ମଧ୍ୟ ଅନୁମୋଦିତ ତାଲିକା ଉପଲବ୍ଧ । ପ୍ରାୟତଃ ପ୍ରତିବର୍ଷ ଓଡ଼ିଶା ବିଧାନସଭା ଅଧିବେଶନରେ କେହି ବିଧାୟକ ରାଜ୍ୟରେ ଗଣମାଧ୍ୟମ ସ୍ଥିତାବସ୍ଥା ସଂପର୍କରେ ପ୍ରଶ୍ନ ପଚାରିଥାନ୍ତି ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ତଥ୍ୟ ଦେଇଥାନ୍ତି । ରାଜ୍ୟ ବିଧାନସଭାର ୨୦୧୯ ମୌସୁମୀ ଅଧିବେଶନରେ ବିଧାୟକ ସି.ଏସ. ରାଜେନଏକ୍କାଙ୍କ ଏଭଳି ଏକ ପ୍ରଶ୍ନର ଉତ୍ତର ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଉପସ୍ଥାପନ କରିଥିଲେ ।


 

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିଜ୍ଞାପନ ବିତରଣ ଅନୁମୋଦନ ତାଲିକାରେ ରାଜ୍ୟରୁ ପ୍ରକାଶିତ ୮୩ ଗୋଟି ଦୈନିକ, ୬୦ ଗୋଟି ସାପ୍ତାହିକ, ୧୬ ଗୋଟି ପାକ୍ଷିକ, ୧୯ ଗୋଟି ମାସିକ, ଗୋଟିଏ ତ୍ରୟମାସିକ ଓ ୭ ଗୋଟି ଇଂଲିଶସମ୍ୱାଦପତ୍ର ଅନ୍ତର୍ଭୁକ୍ତ । ରାଜ୍ୟରେ ୨୦ ଗୋଟି ଟେଲିଭିଜନ ଓ ରେଡ଼ିଓ ଚ଼୍ୟାନେଲ ତଥା ୨୫ ଗୋଟି ୱେବଚ୍ୟାନେଲ ଅନୁମୋଦିତ । ଅଧିସ୍ୱୀକୃତ ସାମ୍ୱାଦିକଙ୍କ ସଂଖ୍ୟା ରାଜ୍ୟସ୍ତରରେ ୧୮୯ ଏବଂ ଜିଲ୍ଲା, ସବଡିଭିଜନ ଓ ବ୍ଳକସ୍ତରରେ ୩୦ରେ ସୀମିତ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ‘ଗୋପବନ୍ଧୁସାମ୍ବାଦିକ ସ୍ୱାସ୍ଥ୍ୟବୀମା’ରେ ୬୦୧୧ ଜଣ ସାମ୍ୱାଦିକ ପଞ୍ଜୀକୃତ ।


 

ଓଡ଼ିଶାରେ ଦୈନିକ ସମ୍ୱାଦପତ୍ର ସଂପର୍କରେ ଅନୁଶୀଳନ କଲାବେଳେ ଦଶଗୋଟି ରାଜ୍ୟସ୍ତରୀୟ ସମ୍ୱାଦପତ୍ର ସହଜରେ ଦୃଷ୍ଟି ଆକର୍ଷଣ କରିଥାଏ । ଆଞ୍ଚଳିକସ୍ତରରେ ଅନୁଧ୍ୟାନ କଲେ ଆଉ ଦଶଗୋଟି ନଜରକୁ ଆସେ । ତେବେ କୋଡ଼ିଏ ଗୋଟିକୁ ବାଦ ଦେଲେ ବିଧାନସଭାରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବଳକା ଷାଠିଏରୁ ଉର୍ଦ୍ଧ୍ୱ ଦୈନିକ ସମ୍ୱାଦପତ୍ରର ସନ୍ଧାନ ସହଜରେ ପାଇହୁଏ ନାହିଁ । ଦୈନିକ ସମ୍ୱାଦପତ୍ରର ଅବସ୍ଥା ଏୟା ଥିବା ସ୍ଥଳେ ସାପ୍ତାହିକ, ପାକ୍ଷିକ, ମାସିକ ଓ ତ୍ରୟମାସିକସମ୍ୱାଦପତ୍ରର ଅବସ୍ଥା ସହଜରେ ଅନୁମେୟ । ଏହି ପରିବେଶର ମୁଖ୍ୟ କାରଣ ଦୁଇଗୋଟି ମଧ୍ୟରେ ପ୍ରକାଶନରେ ଅନିୟମିତତା ଓ ତତ୍ଜନିତ ସୀମିତ ପ୍ରସାରଣକୁ ଚ଼ିହ୍ନଟ କରାଯାଇପାରେ ।


 

ଅନିୟମିତ ଓ ଅଳ୍ପ ପ୍ରସାରିତ ସମ୍ୱାଦପତ୍ରଗୁଡ଼ିକବାସ୍ତବକ୍ଷେତ୍ରରେ କ୍ଷୁଦ୍ର ସମ୍ୱାଦପତ୍ର ପର୍ଯ୍ୟାୟଭୁକ୍ତ । ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଆଞ୍ଚଳିକସ୍ତରରେ ପ୍ରକାଶିତ ହୋଇଥାଏ । ଗଣମାଧ୍ୟମ ତତ୍ତ୍ୱବିତମାନେବିଦେଶରେ ଏହାକୁ ସ୍ଥାନୀୟ ‘ଲୋକାଲ’ସମ୍ୱାଦପତ୍ର ନାମିତ କରିଥାନ୍ତି । ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ସଂପର୍କରେ ଆଲୋଚ଼ନା କଲେ ଏଭଳି ସମ୍ୱାଦପତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ । ସମ୍ୱାଦପତ୍ର ପ୍ରଯୋଜନା ବ୍ୟୟବହୁଳ ଓ ଅର୍ଥନୀତି ବିଜ୍ଞାପନ ଆଶ୍ରିତ ହୋଇଥିବା ହେତୁ ଆକାରରେ ପୃଥଳତା, ପ୍ରକାଶନରେ ନିୟମିତତା ଓ ସଂଖ୍ୟାଧିକ ପ୍ରସାର ବ୍ୟାବସାୟିକ ସଫଳତା ଉପରେ ନିର୍ଭରଶୀଳ । ଏହି କ୍ଷେତ୍ରରେ ଉତ୍କର୍ଷତା ହାସଲ ନିମନ୍ତେ ଉତ୍ସର୍ଗୀକୃତ ସାମ୍ୱାଦିକତାର ଭୂମିକା ସୀମିତ ।


 

ବିଶ୍ୱବ୍ୟାପୀ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଅଭ୍ୟୁଦୟ ମୁଦ୍ରିତ ସମ୍ୱାଦପତ୍ରର ଉନ୍ମେଷ ସହ ଅଙ୍ଗାଙ୍ଗୀଭାବେଜଡ଼ିତ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଭାରତର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ସମ୍ୱାଦପତ୍ର ଏକ ରକମ ନେତୃତ୍ୱ ନେଇଥିବା ସ୍ୱୀକୃତ । ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ରାଜ୍ୟ ରାଜନୀତିକୁ ଦୀର୍ଘକାଳ ଧରି ହାତଗଣତି ଦୈନିକ ସମ୍ୱାଦପତ୍ର ଓ ପତ୍ରପତ୍ରିକା ପ୍ରଭାବିତ କରିଆସିଥିଲେ । ଜରୁରୀ ପରିସ୍ଥିତି ପରବର୍ତ୍ତୀ ଅବସ୍ଥାରେ ଦେଶର ଅନ୍ୟାନ୍ୟ ପ୍ରାନ୍ତ ସହ ତାଳ ଦେଇ ସମ୍ୱାଦପତ୍ର ପ୍ରକାଶନରେ ବୃତ୍ତିଧାରୀ ସାମ୍ୱାଦିକଙ୍କ ସଂଖ୍ୟାବୃଦ୍ଧି ସହ ଟେଲିଭିଜନ ଭଳି ଗଣମାଧ୍ୟମରେ ଅନ୍ୟାନ୍ୟ ମଞ୍ଚର ଆବିର୍ଭାବ ସ୍ଥାନୀୟ ସାମ୍ୱାଦିକତାର ବିକାଶରେ ସହାୟକ ହୋଇଥିଲେ ହେଁ ଏହାରପରିପୁଷ୍ଟି ନିମନ୍ତେ ଉପାଦାନ ସଂଗ୍ରହରେ ଅସମର୍ଥ ହୋଇଥିବା ପ୍ରମାଣିତ ।


 

ସ୍ୱତନ୍ତ୍ର ପ୍ରଦେଶ ଗଠନ ଓ ସ୍ୱାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ ଲୋକସଂଖ୍ୟା, ସାକ୍ଷରତା ଓ ଆର୍ଥିକ ମାନଦଣ୍ଡ ସହ ତୃଣମୂଳସ୍ତରରେ ଗଣତାନ୍ତ୍ରିକ ଶାସନ ଉପଯୋଗ ଓ ଲୋକାଭିମୁଖୀ ପ୍ରଶାସନିକ ଦକ୍ଷତା ବୃଦ୍ଧିରେ ସମ୍ୱାଦପତ୍ର ପ୍ରକାଶନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମ୍ୱାଦପତ୍ର ବିତର୍କର ମଞ୍ଚ ଗଢ଼ିତୋଳେ, ତୃଟିବିଚ୍ୟୁତିକୁଅନୁସନ୍ଧାନତ୍ମକ ସାମ୍ୱାଦିକତା ମାଧ୍ୟମରେ ଉନ୍ମୋଚନ କରେ ଏବଂ ବିଶ୍ଳେଷଣାତ୍ମକ ଅଭିମତ ଉପସ୍ଥାପନ ସାମାଜିକ ପ୍ରଗତିର ଦ୍ୱାର ଉନ୍ମୁକ୍ତ ରଖେ । ଜାତୀୟ ଓ ରାଜ୍ୟସ୍ତରୀୟ ସମ୍ୱାଦପତ୍ର ଗ୍ରାମପଞ୍ଚାୟତ କିମ୍ୱା ପଲ୍ଲୀସଭାସ୍ତରରେ ପହଞ୍ଚିବା ସମ୍ଭବପର ନୁହେଁ । ଏକପକ୍ଷରେ ଆପେକ୍ଷିକ ଗୁରୁତ୍ୱ ବିଚାରକୁ ନେଇ ସମ୍ୱାଦ ପ୍ରଯୋଜିତ ହେଉଥିବା ହେତୁ ଉଚ୍ଚସ୍ତରରେ ତୃଣମୂଳସ୍ତରର ସମସ୍ୟା ଗୁରୁତ୍ୱ ପାଇବା ସଂଭବପର ନ ହେଉଥିବା ସ୍ଥଳେ ତୃଣମୂଳସ୍ତରରେ ସ୍ଥାନୀୟ ଅଧିବାସୀ ଦୈନନ୍ଦିନ ସମସ୍ୟାକୁ ନେଇ ଭରାକ୍ରାନ୍ତ ହୋଇପଡ଼ନ୍ତି । ସ୍ଥାନୀୟ ସମସ୍ୟା ସ୍ଥାନୀୟ ସମ୍ୱାଦପତ୍ରରେ ହିଁ ପ୍ରକାଶନ ସମ୍ଭବପର ।  ଏଥି ନିମନ୍ତେ ସାମ୍ୱାଦିକ, ସମ୍ୱାଦପତ୍ର ପୃଷ୍ଠା ଓ ପାଠକ ସ୍ଥାନୀୟ ସମ୍ୱାଦପତ୍ରରେ ଉପଲବ୍ଧ ।


 

ସ୍ଥାନୀୟ ସମ୍ୱାଦପତ୍ର କିପରି ପ୍ରଶାସନକୁ ପ୍ରଭାବିତ କରେ ସେ ସଂପର୍କରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରର ଦୁଇଗୋଟି ବିଶ୍ୱବିଦ୍ୟାଳୟ ସହଯୋଗରେ ଏକ ଗବେଷଣା ଆୟୋଜନ କରାଯାଇଥିଲା । ଆମେରିକାରେ ଅନଲାଇନ ସମ୍ୱାଦ ପୋର୍ଟାଲଗୁଡ଼ିକରଲୋକପ୍ରିୟତା ବୃଦ୍ଧିପରେଅନେକ ଜିଲ୍ଲାସ୍ତରୀୟ‘କାଉଣ୍ଟି’ଗୁଡ଼ିକରେ ମୁଦ୍ରିତ ସମ୍ୱାଦପତ୍ର ସଂଖ୍ୟା ହ୍ରାସ ପାଇଛି ବା ବନ୍ଦ ହୋଇଯାଇଛି । ଗବେଷକମାନେ ୨୦୪ ଗୋଟି କାଉଣ୍ଟିରେ ୧୯୯୬ ରୁ ୨୦୧୫ ମଧ୍ୟରେ ମୁଦ୍ରିତ ସମ୍ୱାଦପତ୍ର ସଂଖ୍ୟା ହ୍ରାସ ପାଇଥିବା ବା ବନ୍ଦ ହୋଇଯାଇଥିବା କାଉଣ୍ଟିଗୁଡ଼ିକର ପୌର ପ୍ରଶାସନ ସହ ମୁଦ୍ରିତ ସମ୍ୱାଦପତ୍ର ନିୟମିତ ଭାବେ ପ୍ରକାଶ ପାଉଥିବା କାଉଣ୍ଟିଗୁଡ଼ିକର ପୌର ପ୍ରଶାସନର କାର୍ଯ୍ୟଦକ୍ଷତା ଅନୁଶୀଳନ କରିଥିଲେ ।


 

ଗବେଷଣାରୁ ଜଣାଗଲା ଯେ ମୁଦ୍ରିତ ସମ୍ୱାଦପତ୍ର ନିୟମିତ ପ୍ରକାଶ ପାଉଥିବା କାଉଣ୍ଟି ତୁଳନାରେ ମୁଦ୍ରିତ ସମ୍ୱାଦପତ୍ର ସଂଖ୍ୟା ହ୍ରାସ ପାଇଥିବା ବା ବନ୍ଦ ହୋଇଯାଇଥିବା କାଉଣ୍ଟିଗୁଡ଼ିକର ପୌର ପ୍ରଶାସନର କାର୍ଯ୍ୟଦକ୍ଷତା ସମୟକ୍ରମେ ହ୍ରାସ ପାଇଛି । ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରର ସାମ୍ୱାଦିକମାନେ ପୌର ପ୍ରଶାସନର କାର୍ଯ୍ୟଧାରାକୁ ନିୟମିତ ସମୀକ୍ଷା କରି ସମ୍ୱାଦ ପ୍ରକାଶନ ଯୋଗୁଁ ସେମାନେ ସଜାଗ ରହୁଥିଲେ । କିନ୍ତୁ ମୁଦ୍ରିତ ସମ୍ୱାଦପତ୍ରର ଅଭାବ ପରବର୍ତ୍ତୀ ତିନି ବର୍ଷରେ ପୌର ପ୍ରଶାସନର ଆର୍ଥିକ ଅବସ୍ଥାରେ ବିଶୃଙ୍ଖଳା ଓ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟଶେୈଳୀ ଦେଖିବାକୁ ମିଳିଥିଲା ।


 

ଯୁକ୍ତରାଷ୍ଟ୍ର ଆମେରିକାରେ ବିଜ୍ଞାନସମ୍ମତ୍ତ ଧାରାରେ ଆୟୋଜିତ ଉପରୋକ୍ତ ଗବେଷଣାର ସିଦ୍ଧାନ୍ତ ଊଣାଅଧିକେ ବିଶ୍ୱର କୋଣଅନୁକୋଣର ଗଣତନ୍ତ୍ରରେ ପ୍ରଯୁଜ୍ୟ । ଓଡ଼ିଶାରେ ସ୍ଥାନୀୟ ସମ୍ୱାଦପତ୍ର ପ୍ରକାଶନର ତାତ୍ପର୍ଯ୍ୟ ଏହି ଉଦାହରଣରୁ ସୁସ୍ୱଷ୍ଟ । ଗ୍ରାମପଞ୍ଚାୟତସ୍ତରରେସମ୍ୱାଦିକମାନଙ୍କ ଉପସ୍ଥିତି ତୃଣମୂଳସ୍ତରର ସରକାରୀ କର୍ମଚାରୀମାନଙ୍କ କାର୍ଯ୍ୟଶୈଳୀର ସମୀକ୍ଷା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ କରିବା ସମ୍ଭବପର । ସମାଲୋଚକମାନେ କର୍ମଚାରୀ ଓ ସାମ୍ୱାଦିକଙ୍କ ମଧ୍ୟରେ ଅସାଧୁ ମେଣ୍ଟର ପ୍ରଶ୍ନ ଉଠାଇ ପାରନ୍ତି । ତେବେ ସବୁ କ୍ଷେତ୍ରରେ ଏଭଳି ଆଶଙ୍କା ଅମୂଳକ । ସାମ୍ୱାଦିକଙ୍କୁ ତାଲିମ ମାଧ୍ୟମରେ ଗୁଣାତ୍ମକ ସାମ୍ୱାଦିକତାର ବିକାଶ ଆଶା କରାଯାଇପାରେ ।


 

ମାର୍କିନ ଗବେଷଣାରୁ ଆହୁରି ଜଣାଯାଇଛି ଯେ ଅନଲାଇନପୋର୍ଟାଲ ମାଧ୍ୟମରେ ସାମ୍ୱାଦିକତାଆଞ୍ଚଳିକସ୍ତରରେ ମୁଦ୍ରିତ ଗଣମାଧ୍ୟମର ଅଭାବ ପୂରଣ କରିପାରୁ ନାହିଁ । ପ୍ରଶାସନିକ କ୍ଷେତ୍ରରେ ମୁଦ୍ରିତ ସମ୍ୱାଦର ଦୀର୍ଘସ୍ଥାୟୀ ପ୍ରଭାବ ଏଥିରୁ ସୁସ୍ୱଷ୍ଟ । ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ସମୟସାପେକ୍ଷ, ସୃଜନଆଶ୍ରିତ ଓ ବ୍ୟୟବହୁଳ । ଏହି କାରଣରୁ ଅନେକ କ୍ଷେତ୍ରରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ପ୍ରକାଶନ ଅନିୟମିତ ଏବଂ ପ୍ରସାର ସଂଖ୍ୟା ସୀମିତ । କିନ୍ତୁ ଏହାର ସାମାଜିକ, ସାଂସ୍କୃତିକ ଓ ପ୍ରଶାସନିକ କ୍ଷେତ୍ରରେ ପ୍ରଭାବ ବିଚାରକୁ ନେଲେ କ୍ଷୁଦ୍ର ଦୈନିକ ସମ୍ୱାଦପତ୍ର ଓ ସାମୟିକ ପତ୍ରପତ୍ରିକା ପ୍ରକାଶନକୁ ଉତ୍ସାହିତ କରିବା ନିମନ୍ତେ ସାମୂହିକସ୍ତରରେ ସହଯୋଗ ନିମନ୍ତେ ବେସରକାରୀ ଓ ସରକାରୀସ୍ତରରେ ବିଧିବଦ୍ଧ ଯୋଜନା ପ୍ରଣୟନ ସମୟର ଆହ୍ୱାନ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅଗଷ୍ଟ ୨୦୧


ତଥ୍ୟ:



ରାଜ୍ୟରୁ ପ୍ରକାଶ ପାଉଛି ୮୩ ଦୈନିକ ଖବରକାଗଜ । ପ୍ରମେୟ (ବ୍ରହ୍ମପୁର ସଂସ୍କରଣ) । ଜୁଲାଇ ୨୭, ୨୦୧୯


 

Nelson, Eshe. The demise of local newspapers is hurting city finances, qz.com. July 20, 2018<https://qz.com/1331839/the-demise-of-local-newspapers-is-hurting-city-finances/?utm>

ଓଡ଼ିଆ ସାପ୍ତାହିକ ସମ୍ୱାଦପତ୍ରର ଭବିଷ୍ୟତ

ବ୍ରହ୍ମପୁରରୁ ପ୍ରକାଶିତ ମୁଦ୍ରିତ ଓଡ଼ିଆ ସାପ୍ତାହିକ ସମ୍ୱାଦପତ୍ର ‘ନବୀନ’ ୨୦୨୨ରେ ୯୩ ବର୍ଷରେ ପଦାର୍ପଣ କରିଛି । ଆଗାମୀ ସାତ ବର୍ଷ ପୂରଣରେ ପ୍ରକାଶନଟି ୨୦୨୯-୩୦ରେ ଶତବାର୍ଷକୀ ପାଳନ କରିବା ଆଶା କରାଯାଏ । ଆନ୍ତର୍ଜାତିକ ଗଣମାଧ୍ୟମ ପରିଧିରେ ଏହି ସମୟସୀମାଟି ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ଗୁରୁତ୍ୱପୂର୍ଣ୍ଣ । ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ କ୍ଷେତ୍ରରେ ଏକବିଂଶ ଶତାଦ୍ଦୀ ପ୍ରଥମ ଦୁଇ ଦଶକରେ ବ୍ୟାପକ ପରିବର୍ତ୍ତନ ସୂତ୍ରପାତ ହୋଇଥିବା ସ୍ଥଳେ ପରବର୍ତ୍ତୀ ଦଶନ୍ଧିରେ ପ୍ରାଚ଼୍ୟ ତଥା ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ କେତେକାଂଶରେ ପ୍ରତିଫଳିତ ହେବା ଗଣମାଧ୍ୟମ ସମୀକ୍ଷକମାନେ ଅନୁମାନ କରନ୍ତି । ଏହି ଘଟଣାକ୍ରମରେ ‘କୋଭିଡ଼-୧୯’ ମହାମାରୀ-ପର ପରିବେଶରେ ସଂଘର୍ଷରତ କତିପୟ ଓଡ଼ିଆ ମୁଦ୍ରିତ ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ୱାଦପତ୍ରର ସମ୍ଭାବ୍ୟ ଭବିଷ୍ୟତ ସଂପର୍କରେ ଆଲୋଚ଼ନା ଗୁରୁତ୍ୱ ବହନ କରେ ।

 

‘ନବୀନ’ ୧୯୩୦ ମସିହା ମେ ମାସ ୧୩ ତାରିଖରେ ବ୍ରହ୍ମପୁର ମହୁରି ରାଜବାଟୀରୁ ପ୍ରକାଶନ ଆରମ୍ଭ କରିଥିଲା । ମହୁରି ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବ ସମ୍ୱାଦପତ୍ରର ପ୍ରକାଶକ ଓ ସମ୍ପାଦକ । ‘ନବୀନ’ ପ୍ରକାଶନ ଆରମ୍ଭ ହେବା ବେଳକୁ ବ୍ରହ୍ମପୁରରେ ସମୃଦ୍ଧ ସାମ୍ୱାଦିକତା ବାତାବରଣ ଲକ୍ଷ୍ୟ କରାଯାଏ । ସାପ୍ତାହିକ ‘ଆଶା’ ୧୯୧୩ରୁ ଆତ୍ମପ୍ରକାଶ କରି ୧୯୨୮ରୁ ‘ଦୈନିକ ଆଶା’ରେ ରୂପାନ୍ତରିତ ହୋଇଥାଏ । କଟକରୁ ‘ସମାଜ’ ମଧ୍ୟ ୧୯୩୦ରେ ଦୈନିକ ସମ୍ୱାଦପତ୍ର ରୂପେ ପ୍ରକାଶ ପାଇଥିଲା । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ, ଦୈନିକ ସମ୍ୱାଦପତ୍ର ଧାରା ଆରମ୍ଭ ହୋଇସାରିଥିଲେହେଁ, କେବଳ ଯେ ଏକ ନୂତନ ସାପ୍ତାହିକ ସମ୍ୱାଦପତ୍ର ଜନ୍ମ ନେଇଥିଲା ତାହା ନୁହ, ଦୀର୍ଘସ୍ଥାୟୀ ହୋଇ ଜନ୍ମ ଶତାଦ୍ଦୀ ପାଳନ ନିମନ୍ତେ ଅଗ୍ରସର ।

 

ସାପ୍ତାହିକ ‘ନବୀନ’ ପ୍ରକାଶନ କ୍ଷେତ୍ରରେ ତିନିଗୋଟି ଦିଗ ଉଲ୍ଲେଖଯୋଗ୍ୟ : ପୃଥକ ବିଷୟ ସଜ୍ଜା, ସ୍ୱତନ୍ତ୍ର ଲେଖକ ଓ ପାଠକ ଗୋଷ୍ଠୀ ଗଠନ ଏବଂ ସମର୍ପିତ ସାଂଗଠନିକ ପ୍ରଚ଼େଷ୍ଟା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବାବସ୍ଥାରେ ଓଡ଼ିଆ ଭାଷାଭାଷୀ ଏକତ୍ରୀକରଣ ଆନ୍ଦୋଳନରେ ଉପାନ୍ତ ବ୍ରହ୍ମପୁର ସହର ନେତୃତ୍ୱ ଗ୍ରହଣ କରୁଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଉନ୍ନତିକଳ୍ପେ ଏକାଧିକସ୍ତରରେ ଉଦ୍ୟମ ଅବ୍ୟାହତ ରହିଥିଲା । ମହୁରି ରାଜବାଟୀ ସଙ୍ଗୀତ ଓ ସାହିତ୍ୟ ଚର୍ଚ୍ଚାର ଅନ୍ୟତମ କେନ୍ଦ୍ରସ୍ଥଳୀ ରୂପେ ପରିଗଣିତ ହେଉଥିଲା । ‘ଦୈନିକ ଆଶା’ ଓ ‘ସମାଜ’ ମୁଖ୍ୟତଃ ନିଚ୍ଛକ ସମ୍ୱାଦଧର୍ମୀ ‘ହାର୍ଡକୋର ନିଉଜ ଓରିଏଣ୍ଚେଡ଼’ ହୋଇଥିବା ସ୍ଥଳେ ‘ନବୀନ’ ସାହିତ୍ୟ ଓ ଲଘୁ ପ୍ରବନ୍ଧ ପ୍ରକାଶନକୁ ଉତ୍ସାହିତ କରିଥିଲା । ଫଳରେ ଏକ ବିକଳ୍ପ ସମ୍ୱାଦପତ୍ର ରୂପେ ସାପ୍ତାହିକଟିର ଖ୍ୟାତି ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ବ୍ୟାପ୍ତି ଲାଭ କରିଥିଲା ।

 

ଓଡ଼ିଆ ସାହିତ୍ୟିକ ମହଲରେ ସ୍ୱାଧୀନତା-ପୂର୍ବ ଦୁଇ ଦଶକ ଓ ସ୍ୱାଧୀନତା-ପର ଦୁଇ ଦଶକ ଚାଳିଶ ବର୍ଷ ଧରି ପ୍ରାୟ ସମସ୍ତ ତରୁଣ ଲେଖକ ଲେଖିକା ‘ନବୀନ’ ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ହୋଇଥିବା ଉଦାହରଣ ପତ୍ରିକାଟି ଏକ ସ୍ୱତନ୍ତ୍ର ଲେଖକ ଗୋଷ୍ଠୀ ଗଠନ କରିଥିବା ସୂଚ଼ନା ପ୍ରଦାନ କରେ । ପ୍ରତିବଦଳରେ ସାପ୍ତାହିକ ନିମନ୍ତେ ଏକ ସ୍ୱତନ୍ତ୍ର ପାଠକ ଗୋଷ୍ଠୀ ମଧ୍ୟ ଗଠିତ ହୋଇଥିଲା । ମୁଖ୍ୟତଃ ସ୍କୁଲ କଲେଜର ଛାତ୍ରଛାତ୍ରୀ, ବ୍ରହ୍ମପୁର ସହର ତଥା ଦୂର-ଦୂରାନ୍ତର ପାଠାଗାର ସହ ସଂଶ୍ଳିଷ୍ଟ ପାଠକ ବର୍ଗ ‘ନବୀନ’ର ଗୁଣଗ୍ରାହୀ ଥିବା ଲକ୍ଷ୍ୟ କରାଯାଉଥିଲା ।

 

‘ନବୀନ’ ମୁଦ୍ରଣ ନିମନ୍ତେ କୃପାସିନ୍ଧୁ ନରେନ୍ଦ୍ର ଦେବ ମହୁରି ରାଜବାଟୀରେ ‘ରୟାଲ ପ୍ରେସ’ ନାମକ ଏକ ଛାପାଖାନା ସ୍ଥାପନ କରିଥିଲେ । ସିଂହାଦ୍ରୀ ପଣ୍ଡା ସାପ୍ତାହିକଟିର ସମ୍ପାଦନା, ମୁଦ୍ରଣ, ପ୍ରସାର ସାଙ୍ଗକୁ ମୁଖ୍ୟ ଆୟସୂତ୍ର ସରକାରୀ ଓ ବ୍ୟାବସାୟିକ ବିଜ୍ଞାପନ ପରିଚାଳନାରେ ସଂପୃକ୍ତ ରହିଆସିଥିଲେ । କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ୧୯୫୩ରେ ମୃତ୍ୟୁପରେ ତାଙ୍କରି ପୁତ୍ର ଶିଶିର କୁମାର ନରେନ୍ଦ୍ର ଦେବ ୧୯୫୩ରୁ ୧୯୬୫ ପର୍ଯ୍ୟନ୍ତ ୧୨ ବର୍ଷ ସମ୍ପାଦକ ପଦରେ ଅଭିସିକ୍ତ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୧୯୬୫ରୁ ୧୯୮୮ ଯାଏଁ ୨୨ ବର୍ଷ କାଳ ପରିଚାଳକ ସିଂହାଦ୍ରୀ ପଣ୍ଡା ‘ନବୀନ’ର ପ୍ରକାଶନ ଓ ସମ୍ପାଦନା ଦାୟିତ୍ୱ ବହନ କରିଥିଲେ । ସିଂହାଦ୍ରୀ ପଣ୍ଡାଙ୍କ ମୃତ୍ୟୁପରେ ତାଙ୍କରି ପରିବାରବର୍ଗ କିମ୍ୱା ରାଜପରିବାରପକ୍ଷରୁ ‘ନବୀନ’ ପ୍ରକାଶନ ନିମନ୍ତେ ଉଦ୍ୟମ କରାଯାଇପାରିଲା ନାହିଁ । ଏହି ଅବସରରେ ବ୍ରହ୍ମପୁରର ତରୁଣ ସାମ୍ୱାଦିକ ରବି ରଥ ୧୯୮୯ରେ ‘ନବୀନ’ର ସତ୍ତ୍ୱ କିଣି ନେଇ ପ୍ରକାଶନ ଜାରୀ ରଖିଥିଲେ ।

 

ରବି ରଥ ଜଣେ ଉଦୀୟମାନ ରାଜନୀତିକ କର୍ମ୍ମୀ ରୂପେ ବ୍ରହ୍ମପୁରକୁ କର୍ମକ୍ଷେତ୍ରରୂପେ ବାଛି ନେଇଥିଲେ । ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ଶାଖା କର୍ମକର୍ତ୍ତାଭାବେ ଜରୁରିକାଳୀନ ପରିସ୍ଥିତି ପରବର୍ତ୍ତୀ ୧୯୭୭ରୁ ୧୯୮୦ ତିନି ବର୍ଷ କାର୍ଯ୍ୟ କରିବା ପରେ ୧୯୮୨ରୁ ‘ପ୍ରଗତିବାଦୀ’ ଓ ୧୯୮୪ରୁ ‘ପ୍ରଜାତନ୍ତ୍ର’ର ବ୍ରହ୍ମପୁର ସମ୍ୱାଦଦାତାଭାବେ ଅବସ୍ଥାପିତ ହୋଇଥିଲେ । ସେ ୧୯୮୯ ନଭେମ୍ୱର ମାସରେ ‘ନବୀନ’ ମାଲିକାନା ହାସଲପରେ ମଧ୍ୟବର୍ତ୍ତୀକାଳୀନ ନିରବଚ୍ଛିନ୍ନ ପ୍ରକାଶନ ସଜାଡ଼ି ନେଇଥିଲେ । ସିଂହାଦ୍ରୀ ପଣ୍ଡାଙ୍କ ମୃତ୍ୟୁପରେ ତାଙ୍କରି ପତ୍ନୀ ଗୀତାଞ୍ଜଳୀ ପଣ୍ଡାଙ୍କ ସମ୍ପାଦନାରେ ‘ନବୀନ’ର କିଛି ସଂଖ୍ୟା ପ୍ରକାଶିତ ହୋଇଥିଲା । ଶେଷ ଅବସ୍ଥାରେ ମହୁରି ରାଜବାଟୀର ‘ରୟାଲ ପ୍ରେସ’ କୋଠାବାଡ଼ି ବିକ୍ରୟ ନିମନ୍ତେ ସିଂହାଦ୍ରୀ ପଣ୍ଡା ରଙ୍ଗୁଣି ବନ୍ଧ ସାହୀସ୍ଥ ନିଜ ବାସଭବନକୁ ମୁଦ୍ରଣାଳୟ ଉଠାଇ ନେଇଥିଲେ । ରବି ରଥ ‘ନବୀନ’ ମାଲିକାନା ଗ୍ରହଣ କଲାପରେ ନିଜେ ମୁଦ୍ରଣାଳୟ ସ୍ଥାପନ ନକରି ଅନ୍ୟତ୍ର ମୁଦ୍ରଣ ବ୍ୟବସ୍ଥା କରିଥିଲେ ।

 

‘ନବୀନ’ର ଦୀର୍ଘ ପ୍ରକାଶନ ଇତିହାସରେ କୃପାସିନ୍ଧୁ ନରେନ୍ଦ୍ର ଦେବ, ସିଂହାଦ୍ରୀ ପଣ୍ଡା ଓ ରବି ରଥଙ୍କ ଉତ୍ସର୍ଗୀକୃତ ଉଦ୍ୟମ ସମ୍ୱାଦପତ୍ରଟିର ସଫଳତାର ରହସ୍ୟ । ପ୍ରକାଶନଟିର ଅର୍ଥନୀତି ମୂଳରୁ ସରକାରୀ ବିଜ୍ଞାପନ ଓ ପ୍ରୋତ୍ସାହନରେ ସମୃଦ୍ଧ । ‘ନବୀନ’ର ଅନୁଭୂତି ଅନ୍ୟାନ୍ୟ ଓଡ଼ିଆ ସାପ୍ତାହିକ ସମ୍ୱାଦପତ୍ର କ୍ଷେତ୍ରରେ ପ୍ରଯୁଜ୍ୟ । ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ଜନସାଧାରଣଙ୍କ ଜୀବନଚର୍ଯ୍ୟା, ଅର୍ଥନୀତି, ରାଜନୀତିଠାରୁ ଆରମ୍ଭ କରି ଗଣମାଧ୍ୟମ, ମନୋରଞ୍ଜନ ବିଭିନ୍ନ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ସୂତ୍ରପାତ ହୋଇଥିବା ସ୍ଥଳେ ଓଡ଼ିଆ ମୁଦ୍ରିତ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକର ସ୍ଥାୟିତ୍ୱ ଓ ଭୂମିକା ଅନେକ କ୍ଷେତ୍ରରେ ପ୍ରଶ୍ନବାଚ଼ୀ ସୃଷ୍ଟି କରିଥାଏ ।

 

ପାଶ୍ଚାତ୍ୟ ଭୂଖଣ୍ଡ, ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାରେ ଡ଼ିଜିଟାଲ ମଞ୍ଚର ଆବିର୍ଭାବ ପରେ ବିଜ୍ଞାପନ ଅପସାରଣ କାରଣରୁ ଦୁଇ ଦଶକର ଅଭିଜ୍ଞତାରୁ ଜଣାଯାଇଛି ଯେ ତୃଣମୂଳସ୍ତରରେ ପ୍ରକାଶିତ ସପ୍ତାହିକ, ପାକ୍ଷିକ ଓ ମାସିକ ମୁଦ୍ରିତ ସମ୍ୱାଦପତ୍ର ବନ୍ଦ ହୋଇଯିବା ଫଳରେ ଅନେକ ଜନପଦରେ ସମ୍ୱାଦ ମରୁଭୂମି ‘ନିଉଜ ଡ଼େଜାର୍ଟ’ ସୃଷ୍ଟି ହୋଇଛି । ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଏକ ପକ୍ଷରେ ମୁଦ୍ରିତ ସମ୍ୱାଦପତ୍ର ଅଭାବରେ ସ୍ଥାନୀୟ ପ୍ରଶାସନର ଲୋକହିତକର କାର୍ଯ୍ୟାବଳୀରେ ଦକ୍ଷତା ଏବଂ ଭୋଟରମାନଙ୍କ ନିର୍ବାଚ଼ନ ପ୍ରକ୍ରିୟାରେ ଅଂଶଗ୍ରହଣ ହ୍ରାସ ପାଉଥିବା ସ୍ଥଳେ କ୍ରମବିକଶିତ ଡ଼ିଜିଟାଲ ମଞ୍ଚ ମୁଦ୍ରିତ ସମ୍ୱାଦପତ୍ରର ଭୂମିକାର ଅଭାବ ପୂରଣ କରିପାରୁ ନାହିଁ । ଏହି ସ୍ଥିତାବସ୍ଥା ଲକ୍ଷ୍ୟ କରି ସେଠାରେ ଆଞ୍ଚଳିକ ସାମ୍ୱାଦିକତା ‘ଲୋକାଲ ଜର୍ଣ୍ଣାଲିଜମ’କୁ ପରିପୁଷ୍ଟ କରିବା ନିମନ୍ତେ ବିଭିନ୍ନ ଉଦ୍ୟମ ହାତକୁ ନିଆଯାଉଛି ।

 

ଦୂରଦ୍ରଷ୍ଟାଙ୍କ ମତରେ ଭାରତ ତଥା ଓଡ଼ିଶାରେ ମୁଦ୍ରିତ ଦୈନିକ ସମ୍ୱାଦପତ୍ରର ସ୍ଥିତି ମହାମାରୀ-ପର ପରିବେଶରେ ଦୋହଲି ଯାଇଛି । କ୍ରମାଗତ ଆର୍ଥିକ ମନ୍ଦାବସ୍ଥା ଲାଗିରହିବା ଏବଂ ଡ଼ିଜିଟାଲ ବାଣିଜ୍ୟ ବୃଦ୍ଧି ପାଇବା କାରଣରୁ ମୁଦ୍ରିତ ସମ୍ୱାଦପତ୍ରରେ ବ୍ୟାବସାୟିକ ବିଜ୍ଞାପନ ବ୍ୟୟ କମି ଆସିବ । ଡ଼ିଜିଟାଲ ମଞ୍ଚର ଲୋକପ୍ରିୟତା ବୃଦ୍ଧି କ୍ରମଶଃ ରାଜନୀତିକ ଓ ସରକାରୀ ପୃଷ୍ଠପୋଷକତା ମୁଦ୍ରିତ ମଞ୍ଚରୁ ଅପସରି ଯିବା ଆଶଙ୍କା ଅମୂଳକ ନୁହେଁ । ଏହାର ଅର୍ଥ, ନିକଟ ଭବିଷ୍ୟତରେ ମୁଦ୍ରିତ ସମ୍ୱାଦ ମଞ୍ଚ ଯେ ନିଶ୍ଚହ୍ନ ହୋଇଯିବ ତାହା ନୁହ । କିନ୍ତୁ ଓଡ଼ିଆରେ ଦୈନିକ ସମ୍ୱାଦପତ୍ର ସଂଖ୍ୟା ୨୦୩୦ ସୁଦ୍ଧା ୮୦ ରୁ ଆଠ-ଦଶକୁ ଖସି ଆସିବ । ବହୁ ଦୈନିକ ସମ୍ୱାଦପତ୍ର ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ୱାଦପତ୍ର ଆଙ୍ଗିକରେ ରୂପାନ୍ତରିତ ହେବେ । ମୁଦ୍ରିତ ସମ୍ୱାଦ ମଞ୍ଚଗୁଡ଼ିକ ଡ଼ିଜିଟାଲ ସଂସ୍କରଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ । ଟାଇମ୍ସ ଅଫ ଇଣ୍ଡିଆ ଗୃପ ପ୍ରକାଶିତ ‘ମୁମ୍ୱାଇ ମିରର’ ଏଦିଗରେ ପଥପ୍ରଦର୍ଶକ ବିଚାର କରାଯାଏ ।

 

ସୀମିତ ପ୍ରସାରିତ ମୁଦ୍ରିତ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକ ନିଜ ପ୍ରକାଶନଧାରାକୁ ସଞ୍ଜତ କରିପାରିଲେ ପରିବର୍ତ୍ତିତ ପରିବେଶରେ ନିଜ ଗୁରୁତ୍ୱ ବଜାୟ ରଖିପାରିବେ । ପ୍ରଥମତଃ, ଓଡ଼ିଆ ସାମ୍ୱାଦିକତା ଅୟମାରମ୍ଭ କାଳରୁ ପ୍ରୋତ୍ସାହନ ରାଶି ସମ୍ୱାଦପତ୍ର ଅର୍ଥନୀତିର ମେରୁଦଣ୍ଡ । ବିଜ୍ଞାପନ-ଆଶ୍ରିତ ମଡ଼େଲ ଭୁଷୁଡ଼ି ପଡ଼ିବା ପରେ ବିକଶିତ ବଜାରରେ ସମ୍ୱାଦମଞ୍ଚଗୁଡ଼ିକ ବଦାନ୍ୟତା ସଂଗ୍ରହକୁ ଅଗ୍ରାଧିକାର ଦେଉଛନ୍ତି । ବ୍ରିଟେନର ‘ଦି ଗାର୍ଡ଼ିଆନ’ ଭଳି ସମ୍ୱାଦପତ୍ର ଡ଼ିଜିଟାଲ ମଞ୍ଚରେ ପ୍ରକାଶିତ ପ୍ରତ୍ୟେକ ସମ୍ୱାଦ ଶେଷରେ ପାଠକଙ୍କଠାରୁ ଦାନ ଆବେଦନ କରୁଥିବା ସ୍ଥଳେ ଯୁକ୍ତରାଷ୍ଟ୍ର ଆମେରିକାର ‘ଅଟଲାଣ୍ଟିକ’ ଭଳି ସଂଭ୍ରାନ୍ତ ମାସିକ ପତ୍ରିକା କୋଭିଡ଼ ମହାମାରୀ ସଂପର୍କରେ ତଥ୍ୟାଶ୍ରିତ ବିଶ୍ୱସନୀୟ ରଚନା ସୃଜନ ନିମନ୍ତେ ଏକାଧିକ ବଦାନ୍ୟ ସଂସ୍ଥା ପକ୍ଷରୁ ଅନୁଦାନ ସଂଗ୍ରହ କରି ପ୍ରତ୍ୟେକ ପ୍ରକାଶନ ଶେଷରେ ମୁକ୍ତ କଣ୍ଠରେ ଘୋଷଣା କରିଛି । ଓଡ଼ିଆ ସମ୍ୱାଦ ମଞ୍ଚ ପ୍ରଯୋଜନାରେ ପ୍ରୋତ୍ସାହନ ରାଶି ଗ୍ରହଣର ବୈଧୀକରଣ, ଅର୍ଥାତ ବିଧିବଦ୍ଧ ରୀତିରେ ସଂଗ୍ରହ ଓ ହିସାବ ଅନ୍ତର୍ଭୁକ୍ତ ଧାରା ପ୍ରବର୍ତ୍ତିତ ହେଲେ ପ୍ରକାଶନ ଅର୍ଥନୀତି ସମୃଦ୍ଧ ହୋଇପାରିବ ।

 

ଦ୍ୱିତୀୟତଃ, ବ୍ୟାବସାୟିକ ବିଜ୍ଞାପନ ଅଭାବ ଏବଂ ମୁକ୍ତ ସାମ୍ୱାଦିକତା ବିକାଶଲାଗି ସରକାରୀ ବିଜ୍ଞାପନରୁ ଦୂରେଇ ରହିବା ନିମନ୍ତେ ପ୍ରାୟୋଜିତ ସମ୍ୱାଦ ‘ଏଡ଼ଭୋଟୋରିଆଲ’ ପ୍ରକାଶନ ସମ୍ୱାଦ ମଞ୍ଚଗୁଡ଼ିକ ପ୍ରତି ଏକମାତ୍ର ବିକଳ୍ପ । ପତ୍ରପତ୍ରିକାରେ ସ୍ୱାଧୀନ ନିରପେକ୍ଷ ସମ୍ୱାଦ ପ୍ରକାଶନ ସାଙ୍ଗକୁ ନିର୍ଦ୍ଧିଷ୍ଟ ପୃଷ୍ଠାରେ ଘୋଷଣାମତେ ବ୍ୟାବସାୟିକ, ରାଜନୀତିକ ଓ ଉଦ୍ଦେଶ୍ୟ ପ୍ରଣୋଦିତ ସମ୍ୱାଦ ଦେୟ ବିନିମୟରେ ପ୍ରକାଶନରେ ଆପତ୍ତି ରହିଲା କେଉଁଠି । ସମ୍ୱାଦ ସହ ବିଜ୍ଞାପନ ଯଦି ଦୁଇଶହ ବର୍ଷରୁ ଅଧିକ ସମୟଧରି ପ୍ରକାଶନ ବ୍ୟବସାୟକୁ ସମୃଦ୍ଧ ରଖିପାରିଲା, ବିଜ୍ଞାପନ ଅଭାବରେ ପ୍ରାୟୋଜିତ ସମ୍ୱାଦ ପ୍ରକାଶନ ଅବୈଧ ନୁହେଁ । କିନ୍ତୁ ଏହା ଗୋପନୀୟ ନହୋଇ ମୁକ୍ତ ହେବା ଉଚ଼ିତ । ଫଳରେ ଏକ ପକ୍ଷରେ ଆଗ୍ରହୀ ଜନସାଧାରଣ ଅର୍ଥ ବିନିମୟରେ ନିଜର ପକ୍ଷ ସର୍ବସାଧାରଣରେ ପ୍ରକାଶନର ସୁଯୋଗ ପାଇପାରିବା ସ୍ଥଳେ ସମ୍ୱାଦ ମଞ୍ଚ ଅର୍ଥନୀତି ମଧ୍ୟ ଲାଭବାନ ହୋଇପାରିବ ।

 

ତୃତୀୟତଃ, ମୁଦ୍ରିତ ଓଡ଼ିଆ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକ ପ୍ରତି ସଂଖ୍ୟାରେ ଅନ୍ତତଃପକ୍ଷେ ଗୋଟିଏ ଦୀର୍ଘ ଅନୁସନ୍ଧାନମୂଳକ ‘ଇନଭେଷ୍ଟିଗେଟିଭ’ ସମ୍ୱାଦ ଓ ଅନ୍ୟାନ୍ୟ ଜନଜୀବନ ଉପାଦେୟ ‘ଲାଇଫଷ୍ଟାଇଲ’ ରଚନା ସ୍ଥାନିତ କରିବା ଆବଶ୍ୟକ । ଏଦିଗରେ ସଂପାଦକମାନେ ନିଜେ କିଛି ସମୟ ସୃଜନରେ ବିନିଯୋଗ କରିବା କିମ୍ୱା ପାରିଶ୍ରମିକଭିତ୍ତିରେ ଅନ୍ୟ ଜଣେ ସାମ୍ୱାଦିକଙ୍କୁ ନିୟୋଜିତ କରିବା ବିଧ୍ୟେୟ । ପ୍ରତ୍ୟେକ ପ୍ରକାଶନ ନିଜର ଏକ ଲେଖକ ଗୋଷ୍ଠୀ ଗଠନ ପ୍ରତି ଧ୍ୟାନ ଦେଲେ ଅବଶ୍ୟ ସୁଫଳ ମିଳିବ । ଅନ୍ୟାନ୍ୟ ପ୍ରକାଶନରୁ ଅନାବଶ୍ୟକ ଲେଖା ଉଦ୍ଧାର କରିବା ଅଭ୍ୟାସ ତତ୍ କ୍ଷଣାତ ପରିତ୍ୟାଗ କରିବା ଆବଶ୍ୟକ । ସାପ୍ତାହିକ ସମ୍ୱାଦପତ୍ରରେ ମୌଳିକ ରଚ଼ନା, ତଥ୍ୟ ଓ ବ୍ୟବହାରଯୋଗ୍ୟ ସୂଚ଼ନା ଅଭାବରେ ପାଠକଙ୍କ ଦ୍ୱାରା କିପରି ଆଦୃତ ହୋଇପାରିବ ? ଏଦିଗରେ ସାପ୍ତାହିକର ପ୍ରକାଶକ, ସମ୍ପାଦକମାନେ ସଂବଳହୀନ ବୋଲି ଭାବିବା ଭୂଲ, ଉଦ୍ୟମ ଅଭାବ ବୋଲି ଧରିନିଆଯାଇ ପାରେ ।

 

ଓଡ଼ିଆ ମୁଦ୍ରିତ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକୁ ସ୍ୱାବଲମ୍ୱୀ କରିବାକୁ ହେଲେ ପ୍ରତିଟି ସମ୍ୱାଦପତ୍ରକୁ ପ୍ରଥମତଃ ଏକ ସମ୍ପାଦନା ନୀତି ଲିଖିତ ଆକାରରେ ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ନୀତି ଆଧାରରେ ପ୍ରକାଶନ ପରିଚାଳିତ ହେବ । ପ୍ରତି ତ୍ରୟମାସିକଭିତ୍ତିରେ କାର୍ଯ୍ୟଧାରା ସମୀକ୍ଷା ହେବା ଆବଶ୍ୟକ । ଫଳରେ ତୃଟିବିଚ୍ୟୁତି ଓ ଉଦାସୀନତାକୁ ଏଡ଼ାଇ ଦିଆଯାଇପାରିବ । ଦ୍ୱିତୀୟତଃ, ସାପ୍ତାହିକ ସମ୍ୱାଦ ମଞ୍ଚଗୁଡ଼ିକ ବ୍ୟକ୍ତିଗତ ମାଲିକାନା ବଦଳରେ ନ୍ୟାସ ‘ଟ୍ରଷ୍ଟ’ ପର୍ଯ୍ୟାୟଭୁକ୍ତ ହେବା ଉଚ଼ିତ । କାରଣ ସାମ୍ୱାଦିକତାକୁ ବଦାନ୍ୟତା-ଆଶ୍ରିତ କରିବା ଅବସରରେ ବ୍ୟକ୍ତିଗତ ମାଲିକାନାରେ ଦାନ ସଂଗ୍ରହ ଅରୁଚ଼ିକର ବୋଧ ତଥା ଆୟକର ଛାଡ଼ଜନିତ ସୁବିଧା ସୁଯୋଗ ଗ୍ରହଣ ସଂଭବ ନହୋଇପାରେ ।

 

ତୃତୀୟତଃ, ସାପ୍ତାହିକର ବିକ୍ରୟମୂଲ୍ୟ ବୃଦ୍ଧି ଅନିବାର୍ଯ୍ୟ । ସ୍ୱାବଲମ୍ୱୀ ମଡ଼େଲ ବିକାଶ ନିମନ୍ତେ ଟେବଲଏଡ଼ ଆଠ ପୃଷ୍ଠା ସାପ୍ତାହିକର ମୂଲ୍ୟ ଖଣ୍ଡପିଛା ଦଶ ଟଙ୍କା ଓ ବାର୍ଷିକ ୫୦୦ ଟଙ୍କା, ପାକ୍ଷିକ ଷୋହଳ ପୃଷ୍ଠା ଖଣ୍ଡ ପିଛା ୨୦ ଟଙ୍କା ଓ ବାର୍ଷିକ ୫୦୦ ଟଙ୍କା, ତଥା ମାସିକର ମୂଲ୍ୟ ଖଣ୍ଡପିଛା ୫୦ ଟଙ୍କା ଓ ବାର୍ଷିକ ୫୦୦ ଟଙ୍କାକୁ ସଂପ୍ରସାରଣ କରିବାକୁ ପଡ଼ିବ । ବାର୍ଷିକ ଗ୍ରାହକଙ୍କ ସାଙ୍ଗକୁ ପ୍ରତ୍ୟେକ ପ୍ରକାଶନ ପାଠକମଞ୍ଚ ଗଠନ କରି ସଦସ୍ୟତା ବାବଦରେ ଦୁଇ ଗୁଣ ଅର୍ଥାତ, ଏକ ହଜାର ଟଙ୍କା ଆଦାୟ ନିମନ୍ତେ ନିରବଚ୍ଛିନ୍ନ ଉଦ୍ୟମ ଅବ୍ୟାହତ ରଖିଲେ ତିନି ବର୍ଷ ମଧ୍ୟରେ ୨୦୨୫ ସୁଦ୍ଧା ସ୍ୱାବଲମ୍ୱୀ ଅର୍ଥନୀତି ସୃଷ୍ଟି ସମ୍ଭବ ହେବା ଆଶା କରାଯାଇପାରେ ।

 

ଚ଼ତୁର୍ଥତଃ, ମୁଦ୍ରିତ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକ ନିଜ ପ୍ରକାଶନ ଉଦ୍ୟମରେ ଏକାକୀ ସଂଘର୍ଷରତ ରହିବା ବଦଳରେ ବୃହତ୍ତର ପାଠକବର୍ଗଙ୍କୁ ଯୋଡ଼ି ପାରିବେ । ଏଥିନିମନ୍ତେ ଗ୍ରାହକ ଓ ପାଠକ ମଞ୍ଚ ସଦସ୍ୟମାନଙ୍କ ସହ ମାସିକ କିମ୍ୱା ତ୍ରୟମାସିକଭିତ୍ତିରେ ବୈଠକମାନ ଆୟୋଜନ କରି ସେମାନଙ୍କ ମାଧ୍ୟମରେ ସମ୍ୱାଦ ସୂତ୍ର ‘ନିଉଜ ପିଚ଼’ ସନ୍ଧାନ ସାଙ୍ଗକୁ ରାଜସ୍ୱ ବୃଦ୍ଧି ନିମନ୍ତେ ଉଦ୍ୟମ କରିପାରିବେ । ନିରବଚ୍ଛିନ୍ନ ଯୋଗାଯୋଗ ଉଦ୍ଦେଶ୍ୟରେ ସୋସିଆଲ ମିଡ଼ିଆ ମଧ୍ୟ ଉପଯୋଗ ଆବଶ୍ୟକ । ପଞ୍ଚମତଃ, ପ୍ରକାଶନଗୁଡ଼ିକ ସ୍ଥାନୀୟ ଜନଜୀବନର ସମସ୍ୟା ସମାଧାନ ଲାଗି ଲକ୍ଷ୍ୟଭିତ୍ତିକ ଅଭିଯାନ ‘କାମ୍ପେନ’ରେ ସାମିଲ ହୋଇପାରିବେ । ଅର୍ଥାତ, କୌଣସି ଲୋକହିତକର କାର୍ଯ୍ୟ ସଂପର୍କରେ କ୍ରମାଗତ ସମ୍ୱାଦ ପ୍ରକାଶନ କରି ପ୍ରଶାସନ ଉପରେ ଚାପ ପ୍ରୟୋଗ, ଜନମତ ସୃଷ୍ଟି ଭଳି ଉଦ୍ୟମ କରିପାରିବେ । ଏହାଫଳରେ ସମ୍ୱାଦ ମଞ୍ଚଗୁଡ଼ିକ ଜନଜୀବନର ଅଙ୍ଗ ରୂପେ ପରିଗଣିତ ହୋଇପାରିବେ ଏବଂ ସମ୍ୱାଦପତ୍ର ପ୍ରକାଶନଭାର ଏକ ବଦଳରେ ଅନେକଙ୍କୁ ସଂପ୍ରସାରିତ ହେବ ।

 

ଗବେଷଣାରୁ ଜଣାଯାଏ ଯେ ମୁଦ୍ରିତ ପାଠ୍ୟ ଏଯାଏଁ ଡିଜିଟାଲ ପାଠ୍ୟ ତୁଳନାରେ ଦୀର୍ଘ ସ୍ଥାୟୀ ବିବେଚ଼ିତ । ଫଳରେ ପ୍ରଶାସନିକକ୍ଷେତ୍ରରେ ଅଭାବ ଅସୁବିଧା ଦରଜ କରିବା ନିମନ୍ତେ ନଥିପତ୍ର ଭାବେ କାର୍ଯ୍ୟକରେ । ସରକାରୀ ପ୍ରଶାସନିକ କଳ ସଂପୂର୍ଣ୍ଣ ରୂପେ ଡ଼ିଜିଟାଲ ପ୍ରଣାଳୀରେ ଅନ୍ତର୍ଭୁକ୍ତ ହେବା ଯାଏଁ ମୁଦ୍ରିତ ପାଠ୍ୟର ଅପେକ୍ଷାକୃତ ଗୁରୁତ୍ୱ ରହିବ । ମୁଦ୍ରିତ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକ ଏହି ସ୍ୱତନ୍ତ୍ର ବିଭବ ଅଧିକାରୀ ହୋଇଥିବା ହେତୁ ତତ୍ ଜନିତ ଫାଇଦା ଉଠାଇ ପାରିବେ । ଅବଶ୍ୟ ପରବର୍ତ୍ତୀ ସାତ ବର୍ଷ ମଧ୍ୟରେ ନିଜ ପ୍ରକାଶନର ଡ଼ିଜିଟାଲ ସଂସ୍କରଣ ସ୍ୱୟଂସଂପୂର୍ଣ୍ଣ କରିବା ନିମନ୍ତେ ଉଦ୍ୟମ ମଧ୍ୟ ଅବ୍ୟାହତ ରଖିବାକୁ ପଡ଼ିବ ।

 

ଓଡ଼ିଆ ମୁଦ୍ରିତ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକ ଡ଼ିଜିଟାଲ ମଞ୍ଚ ମୁହାଁ ହେବା ନିମନ୍ତେ ସୋସିଆଲ ମିଡ଼ିଆରେ ପ୍ରାରମ୍ଭିକ ଉପସ୍ଥିତି ସରଳ । ପ୍ରତ୍ୟେକ ପ୍ରକାଶନ ନିଜର ଅନୁଗତ ପାଠକଗୋଷ୍ଠୀ ଗଠନ ନିମନ୍ତେ ଭୌଗଳିକ ପରିସୀମା ଅର୍ଥାତ, ରାଜ୍ୟର କୌଣସି ସହର, ଜିଲ୍ଲା, ବ୍ଳକ ବା ଗ୍ରାମପଞ୍ଚାୟତ ଏବଂ ବିଷୟଭିତ୍ତିକ, ଉଦାହରଣରେ ଶିକ୍ଷା, କୃଷି, ବାଣିଜ୍ୟ, କ୍ରୀଡ଼ା ବା ମନୋରଞ୍ଜନଭଳି ପରିସର ସୃଷ୍ଟି କରିପାରିଲେ ପାଠକ ବୃଦ୍ଧି ସଂଭବ । ମନେ ରଖିବାକୁ ହେବ ଆଗାମୀ ଭବିଷ୍ୟତର ସାମ୍ୱାଦିକତା ପାଠକ-ଶ୍ରୋତା-ଦର୍ଶକ ବା ଉପଭୋକ୍ତା-କେନ୍ଦ୍ରୀକ । ଡ଼ିଜିଟାଲ ମଞ୍ଚ ମୁଖ୍ୟତଃ ଗୋଷ୍ଠୀଭିତ୍ତିକ । ଏଦିଗରେ ଅବହେଳା ଅନେକଙ୍କୁ ୨୦୩୦ରେ ପହଞ୍ଚିବା ପାଇଁ ଆକଟ କରିପାରେ !   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୯ ଜୁଲାଇ ୨୦୨୨

ସମ୍ୱାଦପତ୍ର ପାଠକ ଗଣନା

ଭାରତୀୟ ସମ୍ୱାଦପତ୍ର ପାଠକ ଗଣନା ବା ‘ଆଇଆରଏସ’୨୦୧୭ ଅନୁଯାୟୀ ଦେଶର ୩୯ ପ୍ରତିଶତ ନାଗରିକ ମୁଦ୍ରିତ ସମ୍ୱାଦପତ୍ର ପଠନ କରିଥାନ୍ତି । ଜାନୁୟାରୀ ୨୦୧୮ରେ ପ୍ରକାଶିତ ଆଇଆରଏସ ସଂସ୍କରଣରେ ୨୦୧୪ ରୁ ୨୦୧୭ ଚ଼ାରିବର୍ଷ ମଧ୍ୟରେ ମୁଦ୍ରିତ ସମ୍ୱାଦପତ୍ର ପାଠକ ସଂଖ୍ୟା କ୍ରମାଗତଭାବେ ବଢ଼ିଥିବାକୁହାଯାଇଛି । ୨୦୧୪ରେ ଶେଷ ସଂସ୍କରଣ ପ୍ରକାଶନ ପରଠାରୁ ତିନି ବର୍ଷ ଧରି ପାଠକ ଗଣନା କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲା ।


 

ଆଇଆରଏସ ୨୦୧୩ର ଗଣନାରେ ବିଭିନ୍ନ ବିଭ୍ରାଟକୁ କେନ୍ଦ୍ରକରି ବିବାଦ ଉପୁଜିଥିଲା । ତେବେ ୨୦୧୭ରେ ସେ ସବୁକୁ ସୁଧାରିବା ଚ଼େଷ୍ଟାରେ ଅତ୍ୟାଧୁନିକ ପରିସଂଖ୍ୟାନ ସୂତ୍ରାବଳୀ ଉପଯୋଗରେ ପାଠକ ଗଣନା ଆୟୋଜିତହୋଇଥିଲା । ଏହି ସର୍ବେକ୍ଷଣରେ ୩ ଲକ୍ଷ ୨୦ ହଜାର ବାସଗୃହରୁ ୧୨ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ମାସକୁ ଅନ୍ତତଃ ଥରେ ସମ୍ୱାଦପତ୍ର ପଢ଼ିଥିବା ବ୍ୟକ୍ତିବିଶେଷଙ୍କୁ ନମୂନା ରୂପେ ଗ୍ରହଣକରି ସେମାନଙ୍କଠାରୁ ସଂଗୃହୀତ ତଥ୍ୟ ତର୍ଜମା କରାଯାଇଥିଲା ।


 

ଭାରତୀୟ ସମ୍ୱାଦପତ୍ର ପାଠକ ଗଣନାକୁ ବିଶ୍ୱର ସର୍ବବୃହତ ପାଠକ ଗଣନା ବୋଲି କୁହାଯାଉଛି । ଭୌଗଳିକ ବିସ୍ତୃତିରେ ସଂଖ୍ୟାଧିକ ନମୂନା ସାମିଲ କରି ତଥ୍ୟ ସଂଗ୍ରହ କରାଯାଇଥିବା ହେତୁ ଏହାର ବିଶ୍ୱାସନୀୟତାକୁ ଗୁରୁତ୍ୱ ଦିଆଯାଉଛି । ରିଡ଼ରସିପ ଷ୍ଟଡ଼ିଜ ରିସର୍ଚ୍ଚ କାଉନସିଲ ଅଫ ଇଣ୍ଡିଆ ଓ ମିଡ଼ିଆ ରିସର୍ଚ୍ଚ ୟୁଜର୍ସ କାଉନସିଲର ଯୁଗ୍ମ ତତ୍ତ୍ୱାବଧାନରେ ଏହି ପାଠକ ଗଣନା କାର୍ଯ୍ୟକ୍ରମ ପ୍ରଯୋଜନା କରାଯାଇଥାଏ ।


 

ଭାରତୀୟ ସମ୍ୱାଦପତ୍ର ପାଠକ ଗଣନା ୨୦୧୭ ଅନୁଯାୟୀ ଓଡ଼ିଆ ସମ୍ୱାଦପତ୍ର ପାଠକ ସଂଖ୍ୟା ଦେଶର ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ସମ୍ୱାଦପତ୍ର ତୁଳନାରେ ସର୍ବାଧିକ ବୃଦ୍ଧିପ୍ରାପ୍ତ ହୋଇଛି । ୨୦୧୪ରେ ଓଡ଼ିଆ ସମ୍ୱାଦପତ୍ର ପାଠକ ସଂଖ୍ୟା ୬୦ ଲକ୍ଷ ଗଣତି କରାଯାଇଥିବା ସ୍ଥଳେ ୨୦୧୭ରେ ତାହା କୋଟିଏ ଦଶଲକ୍ଷରେ ପହଞ୍ଚିଛି। ଏହି କ୍ଷେତ୍ରରେ ୮୩ ପ୍ରତିଶତ ବୃଦ୍ଧି ରେକର୍ଡ଼ କରାଯାଇଛି ।


 

ଓଡ଼ିଆ ସମ୍ୱାଦପତ୍ର କ୍ଷେତ୍ରରେ ସର୍ବାଧିକ ପାଠକ ଚ଼ିହ୍ନଟ କରାଯାଇଥିବା ପ୍ରମୁଖ ପାଞ୍ଚଗୋଟି ମଧ୍ୟରେ ‘ସମ୍ୱାଦ’ ୬୫ ଲକ୍ଷ ୯୪ ହଜାର, ‘ସମାଜ’ ୫୬ ଲକ୍ଷ ୩୦ ହଜାର, ‘ପ୍ରମେୟ’ ୩୬ ଲକ୍ଷ ୯୫ ହଜାର, ‘ଧରିତ୍ରୀ’ ୩୫ ଲକ୍ଷ ୪୨ ହଜାର ଓ ‘ସମୟ’ ୧୦ ଲକ୍ଷ ୯୭ ହଜାର ପାଠକ ଦାବୀ କରିଥାନ୍ତି ।


 

ହିନ୍ଦୀ ସମ୍ୱାଦପତ୍ର ପାଠକ ସଂଖ୍ୟା ୪୫ ପ୍ରତିଶତ, ବଙ୍ଗଳାରେ ୯ ପ୍ରତିଶତ ଓ ଇଂଲିଶରେ ୧୦ ପ୍ରତିଶତ ପାଠକ ବୃଦ୍ଧି ହୋଇଥିବା ଦର୍ଶାଯାଇଛି । ହିନ୍ଦୀରେ ‘ଦୈନିକ ଜାଗରଣ’ ସର୍ବାଧିକ ୭ କୋଟି ୩ ଲକ୍ଷ, ଅନ୍ୟ ଆଞ୍ଚଳିକ ଭାଷା ସମୂହରେ ତାମିଲ ‘ଡ଼େଲି ତନ୍ତୀ’ ୨ କୋଟି ୩୧ ଲକ୍ଷ ଓ ଇଂଲିଶରେ ‘ଦି ଟାଇମସ୍ ଅଫ ଇଣ୍ଡିଆ’ ଏକ କୋଟି ୩୦ ଲକ୍ଷ ପାଠକ ହିସାବ କରାଯାଇଛି।


 

ହିନ୍ଦୀ ସମ୍ୱାଦପତ୍ରଗୁଡ଼ିକ ମଧ୍ୟରେ ବୃହତ ପାଠକ ଦୃଷ୍ଟିରୁ ପ୍ରଥମ ଦଶଟି ସ୍ଥାନ (୧) ଦୈନିକ ଜାଗରଣ, (୨) ହିନ୍ଦୁସ୍ତାନ, (୩) ଅମର ଉଜାଲା, (୪) ଦୈନିକ ଭାସ୍କର, (୫) ରାଜସ୍ଥାନ ପତ୍ରିକା, (୬) ପ୍ରଭାତ ଖବର, (୭) ପଞ୍ଜାବ କେଶରୀ, (୮) ପତ୍ରିକା, (୯) ନବଭାରତ ଟାଇମସ ଓ (୧୦) ନଇ ଦୁନିଆ ଅଧିକାର କରିଥାନ୍ତି ।


 

ସେହିପରି ଆଞ୍ଚଳିକ ଭାଷାରେ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକ ମଧ୍ୟରେ (୧) ଡ଼େଲି ତନ୍ତୀ, (୨) ଲୋକମତ, (୩) ମାଳାୟଳା ମନୋରମା, (୪) ଇନାଡୁ, (୫) ଆନନ୍ଦବଜାର ପତ୍ରିକା, (୬) ଦିନକରନ, (୭) ମାତୃଭୂମି, (୮) ଗୁଜରାଟ ସମାଚ଼ାର, (୯) ଦିନମଲ୍ଲାର ଓ (୧୦) ଡ଼େଲି ସାକ୍ଷୀର  ସ୍ଥାନ ରହିଛି ।


 

ଇଂଲିଶ ସମ୍ୱାଦପତ୍ର କ୍ଷେତ୍ରରେ (୧) ଦି ଟାଇମସ୍ ଅଫ ଇଣ୍ଡିଆ, (୨) ହିନ୍ଦୁସ୍ତାନ ଟାଇମସ୍, (୩) ଦି ହିନ୍ଦୁ, (୪) ଦି ଇକନୋମିକ ଟାଇମସ୍, (୫) ମୁମ୍ୱାଇ ମିରର, (୬) ଦି ଇଣ୍ଡିଆନ ଏକ୍ସପ୍ରେସ, (୭) ଦି ଟେଲିଗ୍ରାଫ, (୮) ଦି ନିଉ ଇଣ୍ଡିଆନ ଏକ୍ସପ୍ରେସ, (୯) ଦି ଟ୍ରିବ୍ୟୁନ ଓ (୧୦) ଡ଼େକାନ କ୍ରୋନିକାଲ କ୍ରମାନ୍ୱୟରେ ସର୍ବାଧିକ ପାଠକ ଦାବୀ କରିଥାନ୍ତି ।


 

ସର୍ବଭାରତୀୟସ୍ତରରେ (୧) ଦୈନିକ ଜାଗରଣ ୭ କୋଟି ୩ ଲକ୍ଷ, (୨) ହିନ୍ଦୁସ୍ତାନ ୫ କୋଟି ୨୩ ଲକ୍ଷ, (୩) ଅମର ଉଜାଲା ୪ କୋଟି ୬୦ ଲକ୍ଷ, (୪) ଦୈନିକ ଭାସ୍କର ୪ କୋଟି ୫୧ ଲକ୍ଷ, (୫) ଡ଼େଲି ତନ୍ତୀ ୨ କୋଟି ୩୧ ଲକ୍ଷ, (୬) ଲୋକମତ ଏକ କୋଟି ୮୦ ଲକ୍ଷ, (୭) ରାଜସ୍ଥାନ ପତ୍ରିକା ଏକ କୋଟି ୬୩ ଲକ୍ଷ, (୮) ମାଳାୟଳା ମନୋରମା ଏକ କୋଟି ୫୯ ଲକ୍ଷ, (୯) ଇନାଡୁ ଏକ କୋଟି ୫୮ ଲକ୍ଷ ଓ (୧୦) ପ୍ରଭାତ ଖବର ଏକ କୋଟି ୩୪ ଲକ୍ଷ ପାଠକ ଗଣତି କରାଯାଇଛି ।


 

ଦେଶର ସର୍ବାଧିକ ପାଠକ ପର୍ଯ୍ୟାୟରେ ସାତ ଗୋଟି ହିନ୍ଦୀ ସମ୍ୱାଦପତ୍ର ଏବଂ ଗୋଟିଏ କରି ତାମିଲ, ମାଳାୟଳମ ଓ ତେଲୁଗୁ ସମ୍ୱାଦପତ୍ର ଅନ୍ତର୍ଭୁକ୍ତ । ଇଂଲିଶ ‘ଦି ଟାଇମସ ଅଫ ଇଣ୍ଡିଆ’ ସମ୍ୱାଦପତ୍ର ସର୍ବଭାରତୀୟସ୍ତରରେ ଏକାଦଶ ସ୍ଥାନ ଅଧିକାର କରିଥାଏ । ବିଗତ କିଛି ଦଶନ୍ଧିଧରି ହିନ୍ଦୀ ସମ୍ୱାଦପତ୍ରର ପାଠକ ସଂଖ୍ୟା ଆଶାତୀତଭାବେ ବୃଦ୍ଧିପ୍ରାପ୍ତ ହେବାରେ ଲାଗିଛି । ପୂର୍ବରୁ କେରଳର ମାଳାୟଳମ ମନୋରମା ଓ ପଶ୍ଚିମ ବଙ୍ଗଳାର ଆନନ୍ଦ ବଜାର ପତ୍ରିକା ଭଳି ସମ୍ୱାଦପତ୍ର ସର୍ବାଧିକ ପାଠକ ଦାବୀ କରିଆସୁଥିଲେ । କିନ୍ତୁ ବର୍ତ୍ତମାନ ମାଳାୟଳା ମନୋରମାର ସ୍ଥାନ ଅଷ୍ଟମ ଓ ଆନନ୍ଦ ବଜାର ପତ୍ରିକାର ସ୍ଥାନ ଦ୍ୱାଦଶ ସୋପାନକୁ ଖସି ଯାଇଛି ।


 

ଦେଶର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ସମ୍ୱାଦପତ୍ର ପଠନ ଅଭ୍ୟାସରେ ତାରତମ୍ୟ ଦେଖିବାକୁ ମିଳିଥାଏ । ସହରାଞ୍ଚଳରେ ୫୩ ପ୍ରତିଶତ ସମ୍ୱାଦପତ୍ର ପାଠ କରୁଥିବା ସ୍ଥଳେ ଗ୍ରାମାଞ୍ଚଳରେ ୩୧ ପ୍ରତିଶତ ସମ୍ୱାଦପତ୍ର ପାଠ କରିଥାନ୍ତି । ଏହି କାରଣରୁ ଭାରତୀୟ ସମ୍ୱାଦପତ୍ରଗୁଡ଼ିକ ମୁଖ୍ୟତଃ ସହରୀ ସଭ୍ୟତା କେନ୍ଦ୍ରୀକ ହୋଇଥାଏ ।


 

ସମ୍ୱାଦପତ୍ର ପାଠକଙ୍କ ମଧ୍ୟରେ କିଶୋର ଓ ଯୁବବର୍ଗଙ୍କ ସଂଖ୍ୟା ଅଧିକ । ୧୬ ରୁ ୧୯ ବର୍ଷ ବୟସର ଯୁବବର୍ଗଙ୍କ ମଧ୍ୟରେ ୫୦ ପ୍ରତିଶତ ସମ୍ୱାଦପତ୍ର ପାଠ କରୁଥିବା ସ୍ଥଳେ ୧୨ ରୁ ୧୫ ବର୍ଷ ବୟସ୍କ କିଶୋର ଓ ୨୦-୨୫ ବର୍ଷ ବୟସ୍କଙ୍କ ମଧ୍ୟରେ ୪୨ ପ୍ରତିଶତ ସମ୍ୱାଦପତ୍ର ପାଠକଙ୍କୁ ଚ଼ିହ୍ନଟ କରାଯାଇଥାଏ । ଭାରତର ଜନସଂଖ୍ୟାର ଅର୍ଦ୍ଧେକ କିଶୋର ଓ ଯୁବବର୍ଗରେ ସାମିଲ ଥିବା ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ମୁଦ୍ରିତ ସମ୍ୱାଦପତ୍ର ପାଠ କରୁଥିବା ଅବକାଶରେ ସମ୍ୱାଦପତ୍ର ପ୍ରକାଶନ କ୍ଷେତ୍ରରେ ସମ୍ପାଦନା ନୀତିରେ ଦ୍ରୁତ ପରିବର୍ତ୍ତନ ଆଶା କରାଯାଇପାରେ । ଅଧିକରୁ ଅଧିକ ପଠନ ସାମଗ୍ରୀ ଯୁବକେନ୍ଦ୍ରୀକ ହେବା ନିଶ୍ଚିତ ।



ଯୁବବର୍ଗର ପାଠକଙ୍କୁ ସୁହାଇବାଭଳି ସମ୍ପାଦକୀୟ ନୀତି ପ୍ରଯୋଜନାରେ ଆଧୁନିକ ସାମାଜିକ ଓ ସାଂସ୍କୃତିକଧାରାକୁ ଗୁରୁତ୍ୱ ଦିଆଯିବା ବିଧେୟ । ଖାଦ୍ୟ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ମନୋବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି ବିଭାଗମାନ ସମ୍ୱାଦପତ୍ର ପୃଷ୍ଠାରେ ରାଜନୀତି ଓ କ୍ରୀଡ଼ା ପୃଷ୍ଠାଗୁଡ଼ିକ ସହିତ ଯୋଡ଼ି ହେବା ସ୍ୱାଭାବିକ । ସର୍ବୋପରି ସମ୍ୱାଦ ଓ ଅଭିମତ ଉପସ୍ଥାପନର ଆକାର ଓ ଆଙ୍ଗୀକରେ ନୂତନତ୍ୱ ପରଖିବା ନିମନ୍ତେ ନିକଟ ଭବିଷ୍ୟତରେ ପରୀକ୍ଷା ନିରୀକ୍ଷା ଜାରୀ ରହିବା ଆଶା କରାଯାଇପାରେ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୬ ଫେବୃୟାରୀ ୨୦୧

ତ୍ରୈୟମାସିକଭିତ୍ତିରେ ପାଠକ ଗଣନା

‘ଇଣ୍ଡିଆନ ରିଡ଼ରସିପସର୍ଭେ’ବିଶ୍ୱର ସର୍ବବୃହତ୍ତସମ୍ୱାଦପତ୍ର ଓ ପତ୍ରପତ୍ରିକା ପାଠକ ଗଣନା ରୂପ ଅଭିହିତ । ‘ମିଡ଼ିଆ ରିସର୍ଚ୍ଚୟୁଜର୍ସ କାଉନସିଲ’ ଆନୁକୂଲ୍ୟରେ ବ୍ୟାବସାୟିକ ଗବେଷଣା ସଂସ୍ଥା ‘ନେଲସନ’ ପକ୍ଷରୁ ପ୍ରସ୍ତୁତ ୨୦୧୯ ପ୍ରଥମ ତ୍ରୈମାସିକ ପାଠକ ଗଣନା ବିବରଣୀ ଏପ୍ରିଲ ଶେଷ ସପ୍ତାହରେ ପ୍ରକାଶିତ ହୋଇଛି ।


 

ବିଭିନ୍ନ କାରଣରୁ ‘ଆଇଆରଏସ’ ସର୍ବେକ୍ଷଣ ଅନିୟମିତ ହୋଇପଡ଼ିଥିଲା । ସର୍ବଶେଷ ପାଠକ ଗଣନା ଚ଼ାରିବର୍ଷଅନ୍ତରରେ ୨୦୧୭ରେ ଆୟୋଜିତ ହୋଇଥିବାସ୍ଥଳେ ‘ଆଇଆରଏସ ୨୦୧୯ କ୍ୱାଟର ୧’ ନିମନ୍ତେ ତଥ୍ୟ ସଂଗ୍ରହ ନଭେମ୍ୱର ୨୦୧୮ରୁ ଏପ୍ରିଲ ୨୦୧୯ ମଧ୍ୟରେ ସମାହିତଥିଲା । ଏହି ସର୍ବେକ୍ଷଣରେ ୩,୨୪, ୨୮୬ ଗୋଟି ପରିବାରରେ ଅନ୍ତର୍ଭୁକ୍ତ ୧୨ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କ ପାଠକୀୟ ରୁଚି ପରଖିବା ନିମନ୍ତେ ଉଦ୍ୟମ କରାଯାଇଥିଲା ।


 

ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଚ୍ଛୁରିତଭାବେ ନମୂନା ଚ଼ିହ୍ନଟ କରାଯାଇ ତଥ୍ୟ ସଂଗୃହୀତ ହୋଇଥିବା ହେତୁ ଏହି ଅଧ୍ୟୟନର ବିଶ୍ୱାସନୀୟତା ଉପରେ ଗଣମାଧ୍ୟମ ବିଶାରଦମାନେ ଗୁରୁତ୍ୱାରୋପ କରିଥାନ୍ତି । ଆଇଆରଏସ ନିୟମିତ ବ୍ୟବଧାନରେ ଆୟୋଜନ ନିମନ୍ତେ ବିଜ୍ଞାପନ ବ୍ୟବସାୟ ସହିତ ସଂପୃକ୍ତ ସଂସ୍ଥାଗୁଡ଼ିକ ଦାବୀ କରିଆସୁଥିଲେ ଏବଂ ୨୦୧୯ରୁ ତ୍ରୈୟମାସିକଭିତ୍ତିରେପାଠକଗଣନାବିବରଣୀ ପ୍ରକାଶନ ନିମନ୍ତେ ନୀତିଗତ ନିଷ୍ପତ୍ତି ନିଆଯାଇଛି । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶ, ବିଶେଷକରି ଡ଼ିଜିଟାଲ ମଞ୍ଚର ବ୍ୟାପକ ପ୍ରସାର ଅବସରରେ ମୁଦ୍ରଣ ଗଣମାଧ୍ୟମରେ ପାଠକଙ୍କ ଉପସ୍ଥିତି ସଂପର୍କରେ ସବିଶେଷ ତଥ୍ୟ ଗୁରୁତ୍ୱବହନ କରିଥାଏ ।


 

‘ଆଇଆରଏସ ୨୦୧୯ କ୍ୱାଟର ୧’ବିବରଣୀ ଅନୁଯାୟୀ ସର୍ବଭାରତୀୟସ୍ତରରେ ଆଞ୍ଚଳିକ ଭାଷାର ସମ୍ୱାଦପତ୍ର ଓ ପତ୍ରପତ୍ରିକାର ପାଠକ ସଂଖ୍ୟା ବୃଦ୍ଧି ପାଇଥିବା ସ୍ଥଳେ ଓଡ଼ିଆ ଭାଷାରେ ହ୍ରାସ ପାଇଥିବା ସୂଚ଼ିତ ହୋଇଛି । ରାଜ୍ୟର ଚ଼ାରିଗୋଟି ପ୍ରମୁଖ ସମ୍ୱାଦପତ୍ର ମଧ୍ୟରେ ୨୦୧୭ ରୁ ୨୦୧୯ ଦୁଇବର୍ଷ ମଧ୍ୟରେ ହାରାହାରି ପାଠକ ସଂଖ୍ୟା ‘ଧରିତ୍ରୀ’ର ୧୪ ପ୍ରତିଶତ,  ‘ସମାଜ’ର ୧୧ ପ୍ରତିଶତ ଓ ‘ସମ୍ୱାଦ’ର ୧୦ ପ୍ରତିଶତ କମିଛି । ଏହି ଅବସରରେ ପ୍ରସାର ସଂଖ୍ୟାରେ ଚ଼ତୁର୍ଥ ସ୍ଥାନରେ ରହିଥିବା ‘ପ୍ରମେୟ’ର ୭ ପ୍ରତିଶତ ହାରାହାରି ପାଠକଙ୍କ ସଂଖ୍ୟା ବୃଦ୍ଧି ପାଇ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।


 

ଓଡ଼ିଆ ସମ୍ୱାଦପତ୍ରର ମୋଟ ପାଠକ ଗଣନାରେ ‘ସମ୍ୱାଦ’ର ପାଠକ ସଂଖ୍ୟା ୨୦୧୭ରେ ୬୫ ଲକ୍ଷ ୯୨ ହଜାର ଥିବାସ୍ଥଳେ ୨୦୧୯ରେ ୬୫ ଲକ୍ଷ ୯୮ ହଜାର, ‘ସମାଜ’ର ପାଠକ ସଂଖ୍ୟା ୨୦୧୭ରେ ୫୬ ଲକ୍ଷ ୧୫ ହଜାର ଥିବାବେଳେ ୨୦୧୯ରେ ୫୪ ଲକ୍ଷ ୬୩ ହଜାର, ‘ପ୍ରମେୟ’ ର ପାଠକ ସଂଖ୍ୟା ୨୦୧୭ରେ ୩୬ ଲକ୍ଷ ୯୫ ହଜାର ଥିବାବେଳେ ୨୦୧୯ରେ ୩୭ ଲକ୍ଷ ୭୨ ହଜାର ଏବଂ ‘ଧରିତ୍ରୀ’ର ୨୦୧୭ରେ ୩୫ ଲକ୍ଷ ୪୨ ହଜାର ଥିବାବେଳେ ୨୦୧୯ରେ ୩୧ ଲକ୍ଷ ୮୭ ହଜାରରେ ପହଞ୍ଚିଥିବା ‘ଆଇଆରଏସ’ ରିପୋର୍ଟକୁ ଉଦ୍ଧାର କରି ଦୈନିକ ‘ପ୍ରମେୟ’ରେ ମଇପହିଲା ୨୦୧୯ରେ ପ୍ରକାଶିତ ସମ୍ୱାଦରେ ଉଲ୍ଲେଖ କରାଯାଇଛି ।


 

ଓଡ଼ିଶାରେ ସାମଗ୍ରିକଭାବେସମ୍ୱାଦପତ୍ର ପାଠକ ସଂଖ୍ୟା ହ୍ରାସର ମୁଖ୍ୟକାରଣ ରୂପେ ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣ ହେତୁ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି, ଇଣ୍ଟରନେଟ ଡ଼ାଟା ଦର ହ୍ରାସ ହେତୁ ସ୍ମାର୍ଟଫୋନ ପର୍ଦ୍ଦାରେ ସମ୍ୱାଦ ଆହରଣ ଓ ଦୈନିକ ସମ୍ୱାଦପତ୍ରଗୁଡ଼ିକରସ୍ୱାଦହୀନ ପାରମ୍ପରିକ ସଂପାଦକୀୟ ନୀତିକୁ ଦାୟୀ କରାଯାଇପାରେ । ପ୍ରତିଯୋଗିତାପୂର୍ଣ୍ଣ ଗଣମାଧ୍ୟମ ଉପତ୍ୟକାରେ ଟେଲିଭିଜନ ଓ ଡ଼ିଜିଟାଲ ମଞ୍ଚରେ ସର୍ଜନଶୀଳତାର ପୂର୍ଣ୍ଣ ପ୍ରୟୋଗ ଚ଼ାଲିଥିବା ଅବସରରେ ସମ୍ୱାଦପତ୍ର ଓ ପତ୍ରପତ୍ରିକା କ୍ଷେତ୍ରରେ ବିସ୍ମୟକର ସ୍ଥବିରତା ନିକଟ ଭବିଷ୍ୟତରେ ମୁଦ୍ରଣ ଗଣମାଧ୍ୟମର ପାଠକ ସଂଖ୍ୟାକୁ ଅଧିକ ପ୍ରଭାବିତ କରିବା ଆଶଙ୍କା ଅମୂଳକ ନୁହେଁ ।


 

ଶିକ୍ଷାର ପ୍ରସାର ଓ ଗଣମାଧ୍ୟମ ସଚ଼େତନତା ହେତୁ ସର୍ବଭାରତୀୟସ୍ତରରେସମ୍ୱାଦପତ୍ର ପାଠକ ସଂଖ୍ୟା ବୃଦ୍ଧି ବଳବତ୍ତର ରହିଛି । ‘ଆଇଆରଏସ ୨୦୧୯ କ୍ୱାଟର ୧’ରେ ସୂଚ଼ିତ ତଥ୍ୟ ଅନୁଯାୟୀ ୨୦୧୭ରେ ବିଭିନ୍ନ ଭାଷାରେ ପ୍ରକାଶିତସମ୍ୱାଦପତ୍ର ପାଠକ ସଂଖ୍ୟା ୪୦ କୋଟି ୭୦ ଲକ୍ଷ ଥିବା ସ୍ଥଳେ ୨୦୧୯ରେ ୪୨ କୋଟି ୫୦ ଲକ୍ଷକୁ ବଢ଼ିଛି । ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକରେ ମୁଦ୍ରିତ ସମ୍ୱାଦପତ୍ରର ମୁଖ୍ୟ ପ୍ରତିଦ୍ୱନ୍ଦୀ କୁହାଯାଉଥିବା ଇଣ୍ଟରନେଟ ମଞ୍ଚରେ ଦେଶର ଜନସଂଖ୍ୟାର ୨୪ ପ୍ରତିଶତ ଅର୍ଥାତ ୩୮ କୋଟି ୪୦ ଲକ୍ଷ ଉପଭୋକ୍ତା ଅବତୀର୍ଣ୍ଣ ହୋଇଥିବା ସ୍ଥଳେ ଅନଲାଇନରେସମ୍ୱାଦପତ୍ର ପଠନ ଅଭ୍ୟାସ ୨୦୧୭ ରୁ ୨୦୧୯ ମଧ୍ୟରେ ପାଞ୍ଚ ପ୍ରତିଶତ ବୃଦ୍ଧି ପାଇଥିବା ହିସାବ କରାଯାଇଛି ।

 

 

‘ଆଇଆରଏସ ୨୦୧୯ କ୍ୱାଟର୍ ୧’ ରିପୋର୍ଟ ଅନୁଯାୟୀ ଦେଶରେ ସର୍ବାଧିକ ପ୍ରସାରିତ ଦଶଗୋଟି ସମ୍ୱାଦପତ୍ର ମଧ୍ୟରେ କ୍ରମାନ୍ୱୟରେ ଦୈନିକ ଜାଗରଣ, ଦୈନିକ ଭାସ୍କର, ଅମର ଉଜ୍ୱଳା, ଡ଼େଲି ତନ୍ତୀ, ଲୋକମତ, ରାଜସ୍ଥାନ ପତ୍ରିକା, ମାଳାୟଳା ମନୋରମା, ଇନାଡୁ, ଟାଇମସ୍ ଅଫ ଇଣ୍ଡିଆ ଓ ପ୍ରଭାତ ଖବର ସ୍ଥାନ ପାଇଥାନ୍ତି । ଏଥି ମଧ୍ୟରେ ଇଂଲିଶ, ତାମିଲ, ତେଲୁଗୁ, ମରାଠୀ ଓ ମାଳାୟଳମରେ ପ୍ରତ୍ୟେକ ଗୋଟିଏ ଓ ହିନ୍ଦି ଭାଷାରେ ପାଞ୍ଚଗୋଟି ଦୈନିକ ସମ୍ୱାଦପତ୍ର ଅନ୍ତର୍ଭୁକ୍ତ ।


 

ସେହିପରି ସର୍ବାଧିକ ପ୍ରସାରିତ ଦଶଗୋଟି ଇଂଲିଶସମ୍ୱାଦପତ୍ର ମଧ୍ୟରେ କ୍ରମାନ୍ୱୟରେଟାଇମସ୍ ଅଫ ଇଣ୍ଡିଆ, ହିନ୍ଦୁ, ଇକନୋମିକଟାଇମ୍ସ, ମୁମ୍ୱାଇ ମିରର, ଟେଲିଗ୍ରାଫ, ଇଣ୍ଡିଆନ ଏକ୍ସପ୍ରେସ, ନ୍ୟୂଇଣ୍ଡିଆଇନ ଏକ୍ସପ୍ରେସ, ଡ଼େକାନକ୍ରୋନିକାଲ, ମିଡ଼-ଡ଼େ ଓ ମିଣ୍ଟ ସ୍ଥାନିତ । ଏଥି ମଧ୍ୟରେ ଦୁଇଗୋଟି ଅର୍ଥନୀତିକ ଓ ଦୁଇଗୋଟି ଟେବଲଏଡ଼ସମ୍ୱାଦପତ୍ର ଅନ୍ତର୍ଭୁକ୍ତ ।


 

ଦେଶରେ ୨୦୧୭ରୁ ୨୦୧୯ ମଧ୍ୟରେ ଏକ କୋଟି ୮୦ ଲକ୍ଷ ସମ୍ୱାଦପତ୍ର ଓ ୯୦ ଲକ୍ଷ ପତ୍ରପତ୍ରିକା ପାଠକ ବୃଦ୍ଧି ମୁଦ୍ରଣ ଶିଳ୍ପ ପ୍ରତି ଉତ୍ସାହପ୍ରଦ ମନେହୁଏ । ବିକଶିତ ରାଷ୍ଟ୍ରଗୁଡ଼ିକରେ ମୁଦ୍ରଣ ଗଣମାଧ୍ୟମର ବିଳୟ ଘଟୁଥିବା ଅବସରରେ ଭାରତରେ ଉଭୟ ସମ୍ୱାଦପତ୍ର ଓ ପତ୍ରପତ୍ରିକା ପାଠକ ସଂଖ୍ୟା ବୃଦ୍ଧି ଶିକ୍ଷା, ଅର୍ଥନୀତି କ୍ଷେତ୍ରରେ ଅଭିବୃଦ୍ଧି ଓ ଗଣମାଧ୍ୟମ ସଚ଼େତନତାକୁ ସୂଚ଼ିତ କରିଥାଏ । ତେବେ ଏହି ସ୍ଥିତାବସ୍ଥା କେତେକାଳ ବଳବତ୍ତର ରହିବ ତାହା ଏକ ପ୍ରଶ୍ନବାଚ଼ୀ ।


 

ସଂଯୋଗବଶତଃ‘ଆଇଆରଏସ ୨୦୧୯ କ୍ୱାଟର ୧’ ରିପୋର୍ଟ ପ୍ରକାଶିତ ହେବା ଠିକ୍ ପୂର୍ବରୁ ଆର୍ଥିକ ବର୍ଷ ଆରମ୍ଭରେ ଦେଶର ପ୍ରମୁଖ ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ସୋସିଆଲ ମିଡ଼ିଆ ତୁଳନାରେ ମୁଦ୍ରିତ ସମ୍ୱାଦପତ୍ରରବିଶ୍ୱାସନୀୟତାର ତୁଳନାତ୍ମକ ଚ଼ିତ୍ର ପ୍ରଦାନ କରି ଏକ ପାଠକ ସଚ଼େତନତା ବିଜ୍ଞାପନ ଅଭିଯାନ ଆୟୋଜନ କରାଯାଇଥିଲା । ଏହି ଉଦାହରଣରୁ ସୋସିଆଲ ମିଡ଼ିଆର ବ୍ୟାପକ ପ୍ରସାରପ୍ରତି ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକସଚ଼େତନ ଥିବା ତଥା ପ୍ରତିଯୋଗିତାପୂର୍ଣ୍ଣ ବାତାବରଣକୁ ଓହ୍ଲାଇଥିବା ସ୍ୱଷ୍ଟ ବାରି ହୁଏ । ସୋସିଆଲ ମିଡ଼ିଆ ପ୍ରସାରରେ ଇଂଲିଶସମ୍ୱାଦପତ୍ରଗୁଡ଼ିକ ପାଠକ ହରାଉଥିବା ପରିପ୍ରେକ୍ଷୀରେ ‘ହିନ୍ଦୁ’ସମ୍ୱାଦପତ୍ର ପକ୍ଷରୁ  ସଂପାଦକୀୟ ନୀତିରେ ପୁର୍ନବିନ୍ୟାସ ଓ ବିଜ୍ଞାପନ ରାଜସ୍ୱ ବଦଳରେଗ୍ରାହକଚ଼ାନ୍ଦାରାଜସ୍ୱକୁ ପ୍ରାଧାନ୍ୟ ଦେଇଥିଲେ ହେଁ ୨୦୧୭ ତୁଳନାରେ ୨୦୧୯ରେ ୧୭ ପ୍ରତିଶତ ପାଠକବୃଦ୍ଧି ସୂଚ଼ିତ କରାଇଥାଏ । ‘ହିନ୍ଦୁ’ର ମୋଟ ପାଠକ ସଂଖ୍ୟା ୨୦୧୭ରେ ୫୩ ଲକ୍ଷ ଥିବା ସ୍ଥଳେ ୨୦୧୯ରେ ତାହା ୬୨ ଲକ୍ଷ ୨୬ ହଜାରକୁ ବୃଦ୍ଧି ପାଇଥିବା ଜଣାଯାଏ । ଆଞ୍ଚଳିକ ଭାଷାରେ ପରିବର୍ତ୍ତନରେ ଆଗ୍ରହୀ ସମ୍ୱାଦପତ୍ରଗୁଡ଼ିକ ପାଇଁ ‘ହିନ୍ଦୁ’ର ଉଦାହରଣ ଗୁରୁତ୍ୱପୂର୍ଣ୍ଣ ।    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ମେ ୨୦୧


ତଥ୍ୟ:



Amin, Rahail&TasmayeeLaha Roy. A closer look at IRS Q1 2019 data. www.exchange 4 media 



<https://www.exchange4media.com/media-print-news/irs-q1-2019-sakal-adding-1343l-readers-is-a-healthy-sign-uday-jadhav-ceo-96422.html>


 

Mishra, Laltendu. IRS to be released every quarter, says official .The Hindu  (Cuttack Edition) April 27, 2019.


 

Mishra, Lalatendu. 17% jump in The Hindu readership. The Hindu. (Cuttack Edition). April 27, 2019.


 

TOI Growing rapidly across India : IRS. The Times of India  (Bhubaneswar Edition). April 29, 2019.


 

Sambadcontinues to be No. 1 .The Sambad (Berhampur Edition). April 29, 2019.


 

Prameya is No. 1 on readership rise. The Prameya (Berhampur Edition). May 1, 2019. 

ସମ୍ୱାଦପତ୍ର ପାଠକ ସଂପୃକ୍ତି

ପ୍ରତିଯୋଗିତାମୂଳକ ପରିବେଶରେ ଗଣମାଧ୍ୟମ ମଞ୍ଚଗୁଡ଼ିକ ପକ୍ଷରୁ ପାଠକ, ଶ୍ରୋତା ଓ ଦର୍ଶକଙ୍କୁ ଦୀର୍ଘକାଳ ବ୍ୟାପୀ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଉଦ୍ୟମ ଆବଶ୍ୟକ ପଡ଼ିଥାଏ । ସାଧାରଣତଃ ବୃହତ ସମ୍ୱାଦପତ୍ରମାନଙ୍କ ଦ୍ୱାରା ଏଦିଗରେ ସୁପରିକଳ୍ପିତ ଯୋଜନାମାନ ପ୍ରଣୟନ ହେଉଥିବା ଦେଖିବାକୁ ମିଳେ । ଏଥିଲାଗି ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ ହୋଇଥାନ୍ତି କିମ୍ୱା ଆବଶ୍ୟକମତେ ବାହ୍ୟ ସଂସ୍ଥାକୁ ନିଯୁକ୍ତ କରାଯାଇଥାଏ ।


 

ମୁଦ୍ରିତ ସମ୍ୱାଦପତ୍ରରେ ‘ସମ୍ପାଦକଙ୍କୁ ପତ୍ର’ ସର୍ବପୁରାତନ ପାଠକ ସଂପୃକ୍ତି ‘ରିଡ଼ର୍ସ ଏଙ୍ଗେଜମେଣ୍ଟ’ ବିଭବ । ସମକାଳରେ ଏହି ସ୍ତମ୍ଭର ଗୁରୁତ୍ୱ ହ୍ରାସ ପାଇ ଆସିଥିଲେହେଁ ଗଭୀର ଆଞ୍ଚଳିକସ୍ତରର ଖବରଅନ୍ତର, ଅଭାବଅଭିଯୋଗ, ଚଳନ୍ତି ଘଟଣାକ୍ରମ ସଂପର୍କରେ ଅଭିମତ ତଥା ବିଭିନ୍ନ ସାର୍ବଜନୀନ ଘୋଷଣା ସମ୍ୱଳିତ ପାଠକମାନଙ୍କ ଦ୍ୱାରା ପ୍ରେରିତ ପତ୍ର ପ୍ରକାଶନରେ ସମ୍ୱାଦପତ୍ରର ବିଶ୍ୱାସନୀୟତା ବୃଦ୍ଧି ପାଇଥାଏ । ମୂଲ୍ୟବୋଧଭିତ୍ତିକ ଗଣତାନ୍ତ୍ରିକ ଶାସନ ବିକାଶରେ ଜନସାଧାରଣଙ୍କ ଯୋଗଦାନ ନିମନ୍ତେ ଏହିଭଳି ସ୍ତମ୍ଭ ମଞ୍ଚ ପ୍ରସ୍ତୁତ କରିପାରେ । ଅତୀତରେ ସାମ୍ୟବାଦୀ ସୋଭିଏତ ଋଷ ପରିଚାଳନାଧୀନ ‘ପ୍ରଭଦା’ ସମ୍ୱାଦପତ୍ରର ପ୍ରମୁଖ ଅଂଶ ‘ସଂପାଦକଙ୍କୁ ପତ୍ର’ ସ୍ତମ୍ଭକୁ ସମର୍ପିତ ଥିବା ଉଦାହରଣର ଅଭାବ ନାହିଁ ।


 

ପାଶ୍ଚାତ୍ୟ ଭୂଖଣ୍ଡ, ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାରେ ସମ୍ୱାଦପତ୍ରକୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ‘ଫାଷ୍ଟ ମୁଭିଙ୍ଗ କନଜ୍ୟୁମର ଗୁଡ଼ସ’ ରୂପେ ପାଠକଙ୍କ ନିକଟରେ ପହୁଞ୍ଚାଇବା ନିମନ୍ତେ ବ୍ୟାବସାୟିକ ରଣନୀତି ‘ଷ୍ଟ୍ରାଟାଜି’ ଧାରାରେ ନିର୍ଦ୍ଦିଷ୍ଟ ବର୍ଗର ଉପଭୋକ୍ତାଙ୍କୁ ପ୍ରଭାବିତ କରିବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା । ଉଦାହରଣରେ ମହିଳା ପାଠିକାମାନଙ୍କ ନିମନ୍ତେ ଦୈନିକ ସଂସ୍କରଣରେ ସ୍ୱତନ୍ତ୍ର ପୃଷ୍ଠା ସଂଯୋଜନା, କିଶୋରକିଶୋରୀଙ୍କ ନିକଟରେ ପହଞ୍ଚିବା ପାଇଁ ବିଦ୍ୟାଳୟରେ ସମ୍ୱାଦପତ୍ର ପକ୍ଷରୁ କାର୍ଯ୍ୟକ୍ରମ ଇତ୍ୟାଦି ଉଲ୍ଲେଖ କରାଯାଇପାରେ । ସମ୍ୱାଦ ଓ ଅଭିମତ ପରିବେଷଣ ସମ୍ୱାଦପତ୍ରର ଧର୍ମ ବିବେଚିତ ହେଉଥିଲେହେଁ ଅନ୍ୟ ପ୍ରତିଯୋଗୀ ଉତ୍ପାଦଗୁଡ଼ିକ ତୁଳନାରେ ନିଜ ଲୋକପ୍ରିୟତା ବଢ଼ାଇବା ନିମନ୍ତେ ପାଠକ ମଞ୍ଚ ଗଠନ, ପ୍ରତିଯୋଗିତା ଓ ଉତ୍ସବାନୁଷ୍ଠାନ ଆୟୋଜନ ସମ୍ୱାଦପତ୍ର ପ୍ରକାଶନ ବ୍ୟବସାୟର ଅଂଶବିଶେଷ ପାଲଟି ଯାଇଥିଲା ।


 

‘କୋଭିଡ଼-୧୯’ ମହାମାରୀ କାଳରେ ବିଶ୍ୱବ୍ୟାପୀ ଜନପଦ ବନ୍ଦ ‘ଲକ ଡ଼ାଉନ’ ଓ ‘ସଟ ଡ଼ାଉନ’ ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ବିଗତ ଶହେ ବର୍ଷ ମଧ୍ୟରେ ସର୍ବାପେକ୍ଷା ବିଷମ ପରିସ୍ଥିତି ସୃଷ୍ଟି କରିଥିବା ଚର୍ଚ୍ଚା ହୁଏ । ଏକପକ୍ଷରେ ସ୍ୱାଭାବିକ ଜୀବନଯାତ୍ରାରେ କଟକଣା, ଯାନବାହାନ ଚଳାଚଳ ନିଷେଧ ଓ ସଂକ୍ରମଣ ଭୟରେ ସମ୍ୱାଦପତ୍ର ବିତରକଙ୍କ ଅସହଯୋଗ ହେତୁ ମୁଦ୍ରିତ ସମ୍ୱାଦପତ୍ର ପ୍ରସାର ବାଧାପ୍ରାପ୍ତ ହୋଇଥିବା ସ୍ଥଳେ ଅପରପକ୍ଷେ ବାଣିଜ୍ୟ ବ୍ୟବସାୟ ବନ୍ଦ ଅବସ୍ଥାରେ ବିକ୍ରେତାଙ୍କ ପକ୍ଷରୁ ଗଣମାଧ୍ୟମରେ ବିଜ୍ଞାପନ ବନ୍ଦ ତଥା ନିର୍ଦ୍ଦିଷ୍ଟଭାବେ ପ୍ରସାର ସଂଖ୍ୟା ହ୍ରାସ କାରଣରୁ ମୁଦ୍ରିତ ସମ୍ୱାଦପତ୍ରରେ ବିଜ୍ଞାପନ ବ୍ୟୟ ଗଭୀର ପ୍ରଭାବିତ ହୋଇଥିଲା ।


 

ଉତ୍ସବାନୁଷ୍ଠାନ ଆୟୋଜନ ବନ୍ଦ ରହିବା ହେତୁ ସେଗୁଡ଼ିକର ବିବରଣୀ ମୁଦ୍ରିତ ସମ୍ୱାଦପତ୍ରରେ ପ୍ରମୁଖ ସ୍ଥାନ ଅଧିକାର କରୁଥିବା ସ୍ଥଳେ ପାଠ୍ୟ ଅଭାବ ସାଙ୍ଗକୁ ଚଳାଚଳନ ବନ୍ଦ କାରଣରୁ ସାମ୍ୱାଦିକମାନେ ସଂବାଦ ସଂଗ୍ରହରେ ମଧ୍ୟ ଉତ୍କର୍ଷତା ହରାଇବାକୁ ବାଧ୍ୟ ହୋଇଥିଲେ । ସଂକ୍ରମଣ ଭୟରେ ସମ୍ୱାଦପତ୍ର କାର୍ଯ୍ୟାଳୟରେ ସମବେତ ବଦଳରେ ଘରୋଇ ପରିବେଶରେ କାର୍ଯ୍ୟ ସମ୍ପାଦନ ‘ୱାର୍କ ଫ୍ରମ ହୋମ’ ତଥା ସ୍ଥଳବିଶେଷରେ ସମ୍ୱାଦପତ୍ର ମୁଦ୍ରଣ କର୍ମଚାରୀଙ୍କ ଅନୁପସ୍ଥିତି ମୁଦ୍ରଣ ସମ୍ୱାଦପତ୍ରଲାଗି ବିପଦ ସୃଷ୍ଟି କରିଥିଲା ।


 

ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଅନ-ଲାଇନ ସମ୍ୱାଦ ମଞ୍ଚଗୁଡ଼ିକ ଗୁରୁତ୍ୱ ହାସଲ କରିଥିଲେହେଁ ଦ୍ୱିତୀୟ ଦଶକ ଆରମ୍ଭରୁ ସ୍ମାର୍ଟଫୋନ ଆପ୍ଲିକେସନ ଯୋଗେ ସମ୍ୱାଦ ପରିବେଷଣ ଧାରା ପ୍ରଚଳନ ପରେ ବିଶ୍ୱବ୍ୟାପୀ ଲୋକପ୍ରିୟତା ହାସଲ କରିବାରେ ଲାଗିଥିଲା । ଭାରତର ଅଗ୍ରଣୀ ଆଞ୍ଚଳିକ ଭାଷା ସମୂହରେ ମୁଦ୍ରିତ ସମ୍ୱାଦପତ୍ର, ଟେଲିଭିଜନ ଚ୍ୟାନେଲ ଓ ମୌଳିକ ଅନଲାଇନ ସମ୍ୱାଦ ମଞ୍ଚ ‘ଡ଼ିଜିଟାଲ ନେଟିଭ’ଗୁଡ଼ିକ ୨୦୨୦ ସୁଦ୍ଧା କିପରି ସ୍ମାର୍ଟଫୋନ ପର୍ଦ୍ଦାରେ ଚଳନ୍ତି ସମ୍ୱାଦ ‘ବ୍ରେକିଙ୍ଗ ନିଉଜ’ ପରିବେଷଣ କରିବେ ସେଥିଲାଗି ‘ମୋବାଇଲ ଫାଷ୍ଟ’ ନୀତି ଅବଲମ୍ୱନ କରିଥିଲେ । ଫଳତଃ ସଂଖ୍ୟାଧିକ ମୁଦ୍ରିତ ସମ୍ୱାଦପତ୍ର ନିଜର ଅନଲାଇନ ଉପସ୍ଥିତି ଜାହିର କରି ସାରିଥିଲେ ଏବଂ ସମ୍ୱାଦ ସଂଗ୍ରହ ଓ ବିତରଣ କ୍ଷେତ୍ରରେ ସେମାନଙ୍କ ଦୀର୍ଘ ଅଭିଜ୍ଞତା ସ୍ୱାଭାବିକଭାବେ ଅନଲାଇନରେ ସେମାନଙ୍କ ଉତ୍କର୍ଷତା ପ୍ରତିପାଦନରେ ସହାୟକ ହୋଇଥିଲା ।


 

ମହାମାରୀରେ ମୁଦ୍ରିତ ସମ୍ୱାଦପତ୍ର ବିତରଣ ଓ ପ୍ରଯୋଜନା ସମସ୍ୟାର ମୁକାବିଲା କରି ନିଜସ୍ୱ ପାଠକଶ୍ରେଣୀ ସଂରକ୍ଷିତ କରିବା ଦିଗରେ ଅନଲାଇନ ଉପସ୍ଥିତି ଅନ୍ତତଃ ପକ୍ଷେ ପାଠକୀୟ ସଂପୃକ୍ତି ବଜାୟ ରଖିବା ଭିତ୍ତିଭୂମି ପ୍ରସ୍ତୁତ କରିପାରିଥିଲା । ମହାମାରୀର ପ୍ରତିକୂଳ ପରିବେଶରେ ପାଠକମାନେ ମୁଦ୍ରିତ ସଂସ୍କରଣ ପାଇପାରୁ ନଥିବା ତଥା ସେମାନଙ୍କ ନିମନ୍ତେ ଅନଲାଇନ ମଞ୍ଚରେ ବିଭିନ୍ନ କଟକଣା ହେତୁ ପର୍ଯ୍ୟାପ୍ତ ସମ୍ୱାଦ ପ୍ରଯୋଜନା ସମ୍ଭବପର ନ ହୋଇପାରୁଥିବା ସ୍ଥଳେ ପାଠକୀୟ ସଂପୃକ୍ତି ବୃଦ୍ଧି ନିମନ୍ତେ ସମ୍ୱାଦମଞ୍ଚଗୁଡ଼ିକ ପକ୍ଷରୁ ଆୟୋଜିତ କେତେକ କାର୍ଯ୍ୟକ୍ରମର ଉଦାହରଣ ଦୃଷ୍ଟି ଆକର୍ଷଣ କରିଥାଏ ।


 

ପଡ଼ୋଶୀ ବାଂଲାଦେଶର ଇଂଲିଶ ଦୈନିକ ‘ଦି ଡ଼େଲି ଷ୍ଟାର’ ଏକ ଅଗ୍ରଣୀ ସମ୍ୱାଦପତ୍ର ରୂପେ ସ୍ୱୀକୃତ । ସାମରିକ ଶାସନର ଅନ୍ତେ ଗଣତାନ୍ତ୍ରିକ ଶାସନ ଆରମ୍ଭ କାଳରେ ୧୯୯୧ରେ ଢ଼ାକାରୁ ପ୍ରକାଶିତ ଏହି ସମ୍ୱାଦପତ୍ରରେ ପ୍ରାୟ ତିନି ଶହ କର୍ମଚାରୀ କାର୍ଯ୍ୟରତ । ମୁଦ୍ରିତ ସମ୍ୱାଦପତ୍ର ସଙ୍ଗେ ଏହାର ଅନଲାଇନ ପୋର୍ଟାଲ ଲୋକପ୍ରିୟ । ଯୁବବର୍ଗର ପାଠକପାଠିକାମାନଙ୍କ ସଂପୃକ୍ତି ବୃଦ୍ଧି ଲକ୍ଷ୍ୟରେ ମହାମାରୀରେ ଆନ୍ତର୍ଜାତିକ ବନ୍ଧୁତ୍ୱ ଦିବସ, ଆନ୍ତର୍ଜାତିକ ପିତୃ ଦିବସ ଓ ଆନ୍ତର୍ଜାତିକ ଯୁବ ଦକ୍ଷତା ଦିବସରେ ସୋସିଆଲ ମିଡ଼ିଆ ଉପଯୋଗରେ ସ୍ୱତନ୍ତ୍ର ଅନଲାଇନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିବା ଏବଂ ପାଠକୀୟ ସ୍ୱୀକୃତି ହାସଲ କରିଥିବା ପ୍ରକାଶ ।


 

ପ୍ରତିବର୍ଷ ଜୁନ ୨୧କୁ ଆନ୍ତର୍ଜାତିକ ପିତୃ ଦିବସ ରୂପେ ପାଳନ କରାଯାଏ । ସୋସିଆଲ ମିଡ଼ିଆର ପ୍ରସାର ପରବର୍ତ୍ତୀ ଅବସ୍ଥାରେ ଯୁବବର୍ଗରେ ଏହିଭଳି ଉତ୍ସବଗୁଡ଼ିକର ଗୁରୁତ୍ୱ ବୃଦ୍ଧି ପାଇଛି । ‘ଦି ଡେଲି ଷ୍ଟାର’ ପକ୍ଷରୁ ଏହି ଅବସରରେ ‘ବାବାର ଆଦର୍ଶେ ଆମି’ ଶୀର୍ଷକ ଏକ ଅନଲାଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପାଠକମାନେ ନିଜ ପିତାଙ୍କ ଏକ ଫୋଟ ଚିତ୍ର ସହ ତାଙ୍କରି କେଉଁ ସ୍ୱଭାବ ଓ ଆଦର୍ଶ ସେମାନଙ୍କ ଜୀବନକୁ ପ୍ରଭାବିତ କରିଛି ତାହାର ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବାକୁ ଉତ୍ସାହିତ କରାଯାଇଥିଲା । ସମ୍ୱାଦପତ୍ରର ଫେସବୁକ ପେଜରେ ଜୁନ ୧୮ ରୁ ଛଅଦିନ ବ୍ୟାପୀ ଉପସ୍ଥାପିତ ଏହି ପ୍ରକଳ୍ପରେ ବ୍ରାଣ୍ଡ ଆମ୍ୱାସଡ଼ରଭାବେ ’୧୦ ମିନଟ ବିଦ୍ୟାଳୟ’ର ପ୍ରତିଷ୍ଠାତା ଓ ଜଣେ ଟେଲିଭିଜନ ତାରକାଙ୍କ ଦ୍ୱାରା ନିଜ ଜୀବନରେ ପିତାଙ୍କ ପ୍ରଭାବ ସଂପର୍କରେ ଭିଡ଼ିଓ ପୋଷ୍ଟ ପ୍ରକାଶିତ ହେବାପରେ ୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ପାଠକପାଠିକାଙ୍କ ଭୋଟ ଅନୁଯାୟୀ ୧୦ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।


 

‘ଆନ୍ତର୍ଜାତିକ ଯୁବ ଦକ୍ଷତା ଦିବସ’ ପାଳନ ଅବସରରେ ଜୁଲାଇ ୧୫ ତାରିଖରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୬୦ ଜଣ ପ୍ରତିଭାଧରଙ୍କ ଗହଣରେ ଅନଲାଇନରେ ‘ଯୁବ ଦକ୍ଷତା ସମ୍ମେଳନ ୨୦୨୦’ ଆୟୋଜନ କରାଯାଇଥିଲା । ମହାମାରୀ-ପର ଅବସ୍ଥାରେ କାରିଗରୀ କୌଶଳ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ନିଯୁକ୍ତିକୁ ପ୍ରଭାବିତ କରିବା ଆଶା କରାଯାଉଥିବା ସ୍ଥଳେ ଯୁବବର୍ଗ କିପରି ନିଜକୁ ସ୍ୱତନ୍ତ୍ର ତାଲିମ ମାଧ୍ୟମରେ ନିଯୁକ୍ତି-ଯୋଗ୍ୟ କରିପାରିବେ ସେ ଦିଗରେ ଦିନ ତମାମ ବିଚାରବିମର୍ଷ ହୋଇଥିଲା ।


 

ସେହିପରି ବାଂଲାଦେଶରେ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳିତ ‘ଆନ୍ତର୍ଜାତିକ ବନ୍ଧୁତ୍ୱ ଦିବସ’ ଅବସରରେ ମହାମାରୀରେ ପାଠକପାଠିକାମାନେ କିପରି ନିଜ ବନ୍ଧୁବର୍ଗଙ୍କ ସହ ଯୋଗାଯୋଗ ସ୍ଥାପନ କରିପାରିଥିଲେ ତତ୍ ସଂପର୍କୀତ ସ୍ମରଣୀୟ ଘଟଣାଗୁଡ଼ିକ ବର୍ଣ୍ଣନା କରିବା ନିମନ୍ତେ ‘ବନ୍ଧୁତେ ବନ୍ଦୀ’ ଶୀର୍ଷକ ଏକ ଅନଲାଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉପସ୍ଥାପିତ ସଚ଼ିତ୍ର ବିବରଣୀଗୁଡ଼ିକ ମଧ୍ୟରୁ ପାଠକପାଠିକାଙ୍କ ଭୋଟକ୍ରମେ ଦଶଜଣଙ୍କୁ ପୁରସ୍କୃତ କରାଯାଇଥିଲା ।


 

ମହାମାରୀରେ ସମ୍ୱାଦ ମଞ୍ଚ ଗୁଡ଼ିକରେ ଦୃଷ୍ଟି-ଆକର୍ଷକ ସମ୍ୱାଦ ପ୍ରକାଶନ ଦୁର୍ବଳ ସ୍ଥିତିରେ ରହିଥିବା ସ୍ଥଳେ ସାମୟିକ ଭାବେ ପାଠକମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଷୟରେ ଅଭିଜ୍ଞତା ‘ୟୁଜର ଜେନେରେଟେଡ଼ କଣ୍ଟେଣ୍ଟ’ ପ୍ରକାଶନ ପାଠକୀୟ ଆଗ୍ରହ ଉଦ୍ରେକରେ ସହାୟକ ହେବା ବିଶ୍ୱାସ କରାଯାଇପାରେ । ଏହିଭଳି ଉଦ୍ଦେଶ୍ୟ ଚରିତାର୍ଥ ସାଙ୍ଗକୁ ସମ୍ୱାଦ ମଞ୍ଚରେ ପାଠକୀୟ ସଂପୃକ୍ତି ବଜାୟ ରଖିବା ଲାଗି ‘ଦି ଡ଼େଲି ଷ୍ଟାର’ର ଉଦ୍ୟମ ପ୍ରଶଂସନୀୟ । ମହାମାରୀ ସୃଜନଶୀଳତା ବିକାଶ ସକାଶେ ପଥ ଉନ୍ମୁକ୍ତ କରିଥିବା ସ୍ଥଳେ ପାରମ୍ପରିକ ରୀତିନୀତିରେ ସନ୍ତୁଷ୍ଟ ରହି ମୁଦ୍ରିତ ସମ୍ୱାଦପତ୍ରର ସଂପାଦକୀୟ ନୀତି ଅମଳାତାନ୍ତ୍ରିକ ମନୋଭାବର ଶରଣାପନ୍ନ ହୋଇ ନୂତନତ୍ୱ ପରିପ୍ରକାଶରେ ଅବହେଳା କଲେ ଭବିଷ୍ୟତ ଅବରୁଦ୍ଧ ହେବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ।     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୧ ସେପ୍ଟେମ୍ୱର ୨୦୨୦


ତଥ୍ୟ:

 

Hassan, Tajdin, How a Bangladesh daily has been engaging readers during COVID-19. www.wan-infra.org, August 27, 2020.


<https://blog.wan-infra.org/2020/08/27/how-a-bangladesh-daily-has-been-engaging-readers-during-covid-19> 

ମୁଦ୍ରଣ ସମ୍ୱାଦ ଶିଳ୍ପର ଗୁଣାତ୍ମକ ବିକାଶ

ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଶେଷ ବେଳକୁ ସମ୍ୱାଦଶିଳ୍ପର ଗୁଣାତ୍ମକ ବିକାଶ ଜରୁରି ଆବଶ୍ୟକତାରେ ପରିଣତ ହୋଇଛି । ଭାରତରେ ବିଗତ ଶତାଦ୍ଦୀ ଶେଷ ଦଶକରୁ ଜଗତୀକରଣ ତଥା ଆର୍ଥିକ ଉଦାରୀକରଣ ନୀତି ପ୍ରବର୍ତ୍ତନ ପରଠାରୁ ମୁଦ୍ରିତ ସମ୍ୱାଦପତ୍ର ମଞ୍ଚରେ ବ୍ୟାପକ ଅଭିବୃଦ୍ଧି ପରିଲକ୍ଷିତ । ମୁଖ୍ୟତଃ ଆଞ୍ଚଳିକ ଭାଷାଗୁଡ଼ିକରେ ସମ୍ୱାଦପତ୍ର ପ୍ରସାର ସଂଖ୍ୟା ବୃଦ୍ଧି ଓ ଗ୍ରାମାଞ୍ଚଳରେ ଆଦୃତି ଦେଶର ରାଜନୀତି, ପ୍ରଶାସନ ଓ ସାମାଜିକ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ପ୍ରମାଣିତ । ତେବେ ଏହି ତିନି ଦଶନ୍ଧିରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ଅଧିକରୁ ଅଧିକ ମାତ୍ରାରେ ବିଜ୍ଞାପନ ଆଶ୍ରିତ ହୋଇପଡ଼ିଥିଲା ।


 

ସ୍ୱାଧୀନୋତ୍ତର ଭାରତରେ ଜନସଂଖ୍ୟା ବୃଦ୍ଧି, ଶିକ୍ଷାର ପ୍ରସାର ଓ ଆର୍ଥିକ ସ୍ଥିତିରେ ଉନ୍ନତି ମୁଦ୍ରିତ ସମ୍ୱାଦପତ୍ର ଅଭିବୃଦ୍ଧିର ତିନି ମୁଖ୍ୟ କାରଣ । ୧୯୯୦-୯୧ରେ ଦେଶର ପ୍ରମୁଖ ଇଂଲିଶ ସମ୍ୱାଦପତ୍ରଗୁଡ଼ିକ ପ୍ରସାର ସଂଖ୍ୟା ବୃଦ୍ଧିରେ ବିଜ୍ଞାପନ ଆୟ ବଢ଼ାଇବା ନିମନ୍ତେ ଗ୍ରାହକ ଚାନ୍ଦା ଆଶାତୀତଭାବେ ହ୍ରାସ କରିବା ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଲେ । ମୁମ୍ୱାଇ, ଦିଲ୍ଲୀ ଭଳି ମହାନଗର ସଂସ୍କରଣଗୁଡ଼ିକ ୩୬ରୁ ୪୮ ପୃଷ୍ଠା ପାଇଁ ଟଙ୍କାଏ, ଦୁଇ ଟଙ୍କା ଦର ନିର୍ଦ୍ଧାରଣ କରାଗଲା । ଏହା ଗ୍ରାହକ ନିମନ୍ତ୍ରଣ ରିହାତି ‘ଇନଭିଟେସନ ପ୍ରାଇସ’ ନାମିତ । ଇଂଲିଶ ସମ୍ୱାଦପତ୍ର ଅନୁକରଣରେ ଏହି ପ୍ରତିଯୋଗିତାରେ ଆଞ୍ଚଳିକ ଭାଷାର ସମ୍ୱାଦପତ୍ରଗୁଡିକ ମଧ୍ୟ ସାମିଲ ହେଲେ ।


 

ମୁଦ୍ରିତ ସମ୍ୱାଦପତ୍ର ପ୍ରସାର ଅଭିବୃଦ୍ଧିର ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ସାମ୍ୱାଦିକତାର ମୂଳସତ୍ତାକୁ ଦୋହଲାଇ ଦେଲା । ସର୍ବାଧିକ ପ୍ରସାରିତ ସମ୍ୱାଦପତ୍ରଗୁଡିକ ବିଜ୍ଞାପନର ସିଂହଭାଗ ଦାବୀ କରିବା ଫଳରେ ଅପେକ୍ଷାକୃତ କମ ପ୍ରସାରିତ ସମ୍ୱାଦପତ୍ରଗୁଡ଼ିକ ପକ୍ଷେ ବିଜ୍ଞାପନ ସଂଗ୍ରହ ସଂଭବପର ହେଲା ନାହିଁ । ଫଳରେ ବ୍ୟବସାୟ ଚାଲୁ ରଖିବା ନିମନ୍ତେ କମ ସମ୍ବାଦିକ ନିଯୁକ୍ତି, ସମ୍ୱାଦ ପ୍ରଯୋଜନାରେ ଖର୍ଚ୍ଚକାଟ ଓ ବଳିଷ୍ଠ ସାମ୍ୱାଦିକତା ପରିବର୍ତ୍ତେ ଲୋକସମ୍ପର୍କଧର୍ମୀ ସମ୍ୱାଦ ପରିବେଷଣକୁ ଉପଜୀବ୍ୟ କରିବା ସାର ହେଲା । ଏକଚାଟିଆ ପ୍ରଭାବ ଜନସାଧାରଣରେ ଭିନ୍ନମତ ପ୍ରକାଶନକୁ ପ୍ରତିହତ କଲା । ଗଣତନ୍ତ୍ରରେ ସମ୍ୱାଦପତ୍ରର ଭୂମିକା ପ୍ରଚାରଧର୍ମୀ ହୋଇପଡ଼ିଲା ।


 

ସ୍ୱାଧୀନତା ପ୍ରାପ୍ତି ଯାଏଁ ଭାରତୀୟ ସାମ୍ୱାଦିକତାରେ ଗାନ୍ଧିଜୀଙ୍କ ବିଚାରଧାରାର ପ୍ରାସଙ୍ଗିକ ରହିଆସିଥିଲା । ସେ ସମ୍ୱାଦପତ୍ରରେ ବିଜ୍ଞାପନ ପ୍ରକାଶନକୁ ଉତ୍ସାହିତ କରୁନଥିଲେ । ସମ୍ୱାଦପତ୍ରର ରଚନାତ୍ମକଦିଗ ଗାନ୍ଧିଜୀଙ୍କ ସାମ୍ୱାଦିକତାରବୈଶିଷ୍ଟ । ବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧରେ ମୁଦ୍ରିତ ସମ୍ୱାଦପତ୍ର ମାଧ୍ୟମରେ ଗାନ୍ଧିଜୀଙ୍କ ସହ ଲେନିନ ଓ ମାଓ-ସେ-ତୁଙ୍ଗ ରାଜନୀତିକ ପଟ୍ଟପରିବର୍ତ୍ତନରେ ସମର୍ଥ ହୋଇପାରିଥିଲେ । ଭାରତରେ ଗ୍ରାହକ ନିମନ୍ତ୍ରଣ ରିହାତି ଧାରା ଉପଯୋଗ ହେବା ପୂର୍ବରୁ ସମ୍ୱାଦପତ୍ର ପ୍ରଯୋଜନାର କିଛି ଅଂଶ ଗ୍ରାହକ ଚାନ୍ଦା ସୂତ୍ରରୁ ଆଦାୟ ହେଉଥିଲା । ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକରେ ସମ୍ୱାଦ ୬୦ ପ୍ରତିଶତ ଏବଂ ବିଜ୍ଞାପନ ୪୦ ପ୍ରତିଶତ ପ୍ରକାଶନ ନୀତି ଦୀର୍ଘ କାଳ ଧରି ପ୍ରଚଳିତ ରହିଥିଲା । କିନ୍ତୁ ଗ୍ରାହକ ନିମନ୍ତ୍ରଣ ରିହାତିଧାରା ପ୍ରବର୍ତ୍ତନ ପରେ ଗ୍ରାହକଙ୍କଠାରେ ସମ୍ୱାଦପତ୍ର ବଣ୍ଟନ ଦେୟମାତ୍ର ସଂଗ୍ରହ କରି ସଂପୂର୍ଣ୍ଣ ସମ୍ୱାଦପତ୍ର ପ୍ରଯୋଜନା ଖର୍ଚ୍ଚ ବିଜ୍ଞାପନ ରାଜସ୍ୱରୁ ଭରଣା କରାଗଲା ।


 

ପାଶ୍ଚାତ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକରେ ଡିଜିଟାଲ ମିଡିଆର ଅଭ୍ୟୁଦୟପରେ ସେଠାକାର ବିଜ୍ଞାପନ ଆୟ ଆଶାତୀତ ଭାବେ ହ୍ରାସ ପାଇବା ଫଳରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପରେ ସଂକଟ ସୃଷ୍ଟି ହୋଇଥିଲା । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକର ଦ୍ୱିତୀୟାର୍ଦ୍ଧରେ ସମ୍ୱାଦପତ୍ର ପ୍ରକାଶନ ଗ୍ରାହକ ଚାନ୍ଦା ଓ ବଦାନ୍ୟତା ‘ଫିଲୋନଥ୍ରଂପି’ ଉପରେ ନିର୍ଭରଶୀଳ ହୋଇଛି । ଭାରତରେ ୨୦୧୯ ମଧ୍ୟଭାଗ ସୁଦ୍ଧା ଅଧିକାଂଶ ବହୁଳ ପ୍ରକାଶିତ ମୁଦ୍ରିତ ସମ୍ୱାଦପତ୍ରରେ ବିଜ୍ଞାପନ ଆୟ ଅଭିବୃଦ୍ଧି ବଳବତ୍ତର ରହିଥିବା ତଥା ସ୍ଥିତାବସ୍ଥା ବଜାୟ ରଖିବା ଆକଳନ କରାଯାଉଥିଲେ ହେଁ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ସମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଚିନ୍ତାର କାରଣ ପାଲଟିଛି । ଗଣମାଧ୍ୟମ ମଞ୍ଚରେ ସାମଗ୍ରୀକ ବିଜ୍ଞାପନ ଆୟ ଅଭିବୃଦ୍ଧି ୨୦୧୮ରେ ୧୩ ପ୍ରତିଶତ ରହିଥିବା ସ୍ଥଳେ ୨୦୧୯ରେ ଚାରିରୁ ପାଞ୍ଚ ପ୍ରତିଶତ କମି ୮ ରୁ ୯ରେ ପହଞ୍ଚିବା ଆଶଙ୍କା କରାଯାଉଛି ।


 

ମୁଦ୍ରିତ ସମ୍ୱାଦପତ୍ର ବିଜ୍ଞାପନ ଆୟ ହ୍ରାସର ଅନ୍ୟତମ କାରଣ ରୂପେ ଟେଲିଭିଜନ ଓ ଡ଼ିଜିଟାଲ ମିଡ଼ିଆର ପ୍ରସାର ଚ଼ିହ୍ନଟ କରାଯାଇପାରେ । ଦେଶର ଗ୍ରାମାଞ୍ଚଳରେ ପ୍ରାୟ ଶତ ପ୍ରତିଶତ ବିଦ୍ୟୁତ ଯୋଗାଣ ପରେ ଅଧିକରୁ ଅଧିକ ପରିବାର ଟେଲିଭିଜନ ସେଟ କିଣି ଦର୍ଶକ ମହଲରେ ସାମିଲ ହେଉଛନ୍ତି । ସାଧାରଣ ଦର୍ଶକ ଦୈନିକ ହାରାହାରି ଚାରିଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଟେଲିଭିଜନ ଦେଖାରେ ବିତାଉଥିବା ହେତୁ ବିଜ୍ଞାପନଦାତାଙ୍କ ନିମନ୍ତେ ଉତ୍କୃଷ୍ଟ ମଞ୍ଚ ପାଲଟୁଛି । ସେହିପରି ଇଣ୍ଟରନେଟର ବ୍ୟାପ୍ତି ୬୫ କୋଟି ଓ ସ୍ମାର୍ଟଫୋନ ଉପଭୋକ୍ତାଙ୍କ ସଂଖ୍ୟା ୫୨ କୋଟି ଛୁଉଁଥିବା ହେତୁ ଯୁବବର୍ଗ ତଥା ସହରୀ ଦର୍ଶକଙ୍କ ନିକଟରେ ବିଜ୍ଞାପନଦାତା ପହଞ୍ଚିବା ନିମନ୍ତେ ଡିଜିଟାଲ ମିଡିଆ ପ୍ରଭାବଶାଳୀ ପ୍ରମାଣିତ ହେଉଛି । ଏତଦ୍ବ୍ୟତୀତ ଡିଜିଟାଲ ମଞ୍ଚରେ ଉପଭୋକ୍ତାଙ୍କ ରୁଚିପରଖି ବ୍ୟକ୍ତିକେନ୍ଦ୍ରୀକ ବିଜ୍ଞାପନ ପ୍ରକାଶନର ସୁବିଧାସୁଯୋଗ ସହ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଓ ଯାନ୍ତ୍ରିକ ଜ୍ଞାନ ‘ମେସିନ ଲେରନିଂ’ ଭଳି ଉନ୍ନତ ବୈଷୟିକ କୌଶଳ ଉପଯୋଗ ଡିଜିଟାଲ ମଞ୍ଚରେ ବିଜ୍ଞାପନ ପ୍ରକାଶନ ଗୁରୁତ୍ୱଲାଭ କରିବାରେ ଲାଗିଛି । ୨୦୧୮ ସୁଦ୍ଧା ଡିଜିଟାଲ ମଞ୍ଚରେ ବିଜ୍ଞାପନ ବ୍ୟୟ ୧୫ ପ୍ରତିଶତ ରହିଥିଲେ ହେଁ ବିକଶିତ ରାଷ୍ଟ୍ରଗୁଡ଼ିକର ଉଦାହରଣ ଅନୁଶୀଳନ କଲେ ତିନିରୁ ପାଞ୍ଚ ବର୍ଷ ମଧ୍ୟରେ ମୁଦ୍ରଣ ମଞ୍ଚର ସୀମା ଅତି ସହଜରେ ଅତିକ୍ରମ କରିବା ସଂଭବପର ମନେ ହେଉଛି ।


 

ମୁଦ୍ରଣ ସମ୍ୱାଦ ଶିଳ୍ପର ଗୁଣାତ୍ମକ ବିକାଶ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ପ୍ରଚଳନରେ ସହାୟକ ହେଉଥିବା ହେତୁ ଏଦିଗରେ ଉଭୟ ସାମାଜିକ ଓ ସରକାରୀସ୍ତରରେ ଉଦ୍ୟମର ଆବଶ୍ୟକତା ରହିଛି । ପାଶ୍ଚାତ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକରେ ଏଦିଗରେ ଉଦାହରଣର ଅଭାବ ନାହିଁ । ବହୁବ୍ୟାବସାୟିକ ସଂସ୍ଥା ମୁଦ୍ରିତ ସମ୍ୱାଦପତ୍ର ପ୍ରତିଷ୍ଠାନଗୁଡ଼ିକର ପରିଚାଳନାରେ ସହାୟତା ପ୍ରଦାନ କରୁଛନ୍ତି । ଅନୁଗାମୀ ପାଠକମାନେ ସମ୍ୱାଦପତ୍ର ମଞ୍ଚ ଗୁଡିକର ସଦସ୍ୟତା ଗ୍ରହଣ କରି ଯଥାଶକ୍ତି ଆର୍ଥିକ ସହଯୋଗ ଜାରି ରଖିଛନ୍ତି । ସରକାରଙ୍କ ପକ୍ଷରୁ ସମ୍ୱାଦପତ୍ର ବ୍ୟବସାୟରେ ଟିକସ ରିହାତି ଓ ସାମ୍ୱାଦିକମାନଙ୍କ ତାଲିମ ନିମନ୍ତେ ଅନୁଦାନ ବ୍ୟବସ୍ଥା ଆରମ୍ଭ କରିବା ନିମନ୍ତେ ନୀତିଗତ ନିଷ୍ପତ୍ତି ନେଉଛନ୍ତି । ଏଦିଗରେ ଭାରତରେ ତଥା ଆମ ରାଜ୍ୟ ଓଡ଼ିଶାରେ ତତ୍ପରତା ପ୍ରକାଶ ଆବଶ୍ୟକ ।      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ସେପ୍ଟେମ୍ୱର ୨୦୧୯

ଟେବଲଏଡ଼ ସାମ୍ୱାଦିକତାର ନୂତନ ପରିଭାଷା

ଟେବଲଏଡ଼ ସାମ୍ୱାଦିକତା ସାଧାରଣତଃ ଚ଼ାଞ୍ଚଲ୍ୟକର ସମ୍ୱାଦ ପରିବେଷଣକୁ ବୁଝାଇଥାଏ । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ପାରମ୍ପରିକଭାବେ କ୍ରାଇମ, ସେଲିବ୍ରିଟି ଆଧାରିତ ଗସିପ ସ୍ତମ୍ଭ,ଖାଦ୍ୟଓଜ୍ୟୋତିଷକୁ ନେଇ ଟେବଲଏଡ଼ ସାମ୍ୱାଦିକତା ଗଢ଼ି ଉଠିଥିଲା । ବ୍ରିଟେନରେ ‘ଡ଼େଲି ଏକ୍ସପ୍ରେସ’, ‘ଡ଼େଲି ରେକର୍ଡ଼’, ‘ଡ଼େଲି ମେଲ’, ‘ଡ଼େଲି ମିରର’, ‘ଡ଼େଲି ଷ୍ଟାର’, ‘ଦି ସନ’ ଓ ‘ସନଡ଼େ ମେଲ’ ଭଳି ଟେବଲଏଡ଼ ସାମ୍ୱାଦିକତାରେ ସମୃଦ୍ଧ ସମ୍ୱାଦପତ୍ରଗୁଡ଼ିକ ବେଶ ଲୋକପ୍ରିୟ । କିଛି ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିବା ‘ନିଉଜ ଅଫ ଦି ୱାର୍ଲଡ଼’ ମଧ୍ୟ ଟେବଲଏଡ଼ ସାମ୍ୱାଦିକତାର ପୃଷ୍ଠପୋଷକ ରହିଆସିଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାକୁ ୟଲୋ ଜର୍ଣ୍ଣାଲିଜମ ନାମିତ କରାଯାଇଥାଏ ।


 

ମୂଳତଃ ଟେବଲଏଡ଼ ନାମକରଣରେ ସମ୍ୱାଦପତ୍ର ପୃଷ୍ଠାର ଆକାର ବିଚ଼ାରକୁ ନିଆଯାଏ। ପାରମ୍ପରିକ ସମ୍ୱାଦପତ୍ର ପୃଷ୍ଠାକୁ ବ୍ରଡ଼ସିଟ କୁହାଯାଉଥିବାବେଳେ ତାହାର ଅର୍ଦ୍ଧେକ ଆକାରକୁ ଟେବଲଏଡ଼ କୁହାଯାଏ । ବର୍ତ୍ତମାନ ଆମ ଦେଶରେ ସମ୍ୱାଦପତ୍ର ପୃଷ୍ଠାଗୁଡ଼ିକ ବେରଲାଇନର ଆକାର ପର୍ଯ୍ୟାୟଭୁକ୍ତ । ୟୁରୋପ ଓ ଆମେରିକାରେ ପ୍ରବର୍ତ୍ତିତ ବେରଲାଇନର କଳେବରକୁ ଦୁଇ ଦଶକ ପୂର୍ବେ ଆମେ ଗ୍ରହଣ କରିନେଇଥିଲୁ ।ବର୍ତ୍ତମାନ ବେରଲାଇନର ଅର୍ଦ୍ଧେକ ଟେବଲଏଡ଼ର ମାନ୍ୟତା ପାଇଥାଏ ।


 

ଚ଼ାଞ୍ଚଲ୍ୟକର ସମ୍ୱାଦ ଆଧାରିତ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକ ଟେବଲଏଡ଼ କଳେବରରେ ପ୍ରକାଶିତ ହେଉଥିବା ହେତୁ ସେଗୁଡ଼ିକୁ ଟେବଲଏଡ଼ ସାମ୍ୱାଦିକତା ନାମିତ କରାଯାଇଥିଲା । ବ୍ରଡ଼ସିଟ୍ ସାମ୍ୱାଦିକତା ସମ୍ଭ୍ରାନ୍ତ ଶ୍ରେଣୀଭୁକ୍ତ ହେଉଥିବା ସ୍ଥଳେ ଟେବଲଏଡ଼ ସାମ୍ୱାଦିକତା ନିମ୍ନବର୍ଗର ପାଠକୀୟ ରୁଚ଼ି ସମ୍ପନ୍ନ ବିବେଚ଼ିତ ହେଉଥିଲା । ବ୍ରିଟେନଭଳି କେତେକ ରାଷ୍ଟ୍ରରେ ଟେବଲଏଡ଼ ସାମ୍ୱାଦିକତା ସାପ୍ତାହିକ ସଂବାଦପତ୍ରରୁ ଦୈନିକ ସମ୍ୱାଦପତ୍ରକୁ ସଂପ୍ରସାରିତ ହୋଇଥିଲା ।


 

କାଳକ୍ରମେ ପାଶ୍ଚାତ୍ୟ ଭୂଖଣ୍ଡରେ ମୁଦ୍ରଣ ସମ୍ୱାଦଶିଳ୍ପ ବିଜ୍ଞାପନ ରାଜସ୍ୱ ଓ ପାଠକ ହ୍ରାସ ଜନିତ ବ୍ୟବସାୟିକ ସଂକଟରେ ସମ୍ମୁଖୀନ ହେବାପରେ ସମ୍ୱାଦପତ୍ର ପ୍ରଯୋଜନାଜନିତ ଖର୍ଚ୍ଚକାଟ ଉଦ୍ଦେଶ୍ୟରେ ବ୍ରଡ଼ସିଟରୁ ଟେବଲଏଡ଼ କଳେବରକୁ ପ୍ରବର୍ତ୍ତନ ଧାରା ଆରମ୍ଭ ହୋଇଥିଲା। ବ୍ରିଟେନର ମୁଖ୍ୟ ଦୈନିକ ସମ୍ୱାଦପତ୍ର ‘ଦି ଟାଇମସ୍’ କିଛି କାଳ ପୂର୍ବେ ଟେବଲଏଡ଼ରେ ପରିଣତ ହୋଇ ସାରିଥିବା ସ୍ଥଳେ ବର୍ତ୍ତମାନ ଅନ୍ୟତମ ଖ୍ୟାତନାମା ‘ଦି ଗାର୍ଡ଼ିଅନ’ ଟେବଲଏଡ଼ ରୂପେ ପ୍ରକାଶିତ ହୋଇଛି ।


 

ଦୈନିକ ‘ଦି ଗାର୍ଡ଼ିଅନ’ ସମ୍ୱାଦପତ୍ର ୧୫ ଜାନୁୟାରୀ ୨୦୧୮ରୁ ଟେବଲଏଡ଼ ଆକାରରେ ମୁଦ୍ରଣ ଆରମ୍ଭ କରିଥିବା ସ୍ଥଳେ ଏହାର ସହଯୋଗୀ ରବିବାସରୀୟ ସାପ୍ତାହିକୀ ‘ଦି ଅବଜରଭର’ ପଦାଙ୍କ ଅନୁସରଣ କରିଛି । ଏଥି ସହ ଉଭୟ ସମ୍ୱାଦପତ୍ରର ଡ଼ିଜିଟାଲ ସଂସ୍କରଣର ମଧ୍ୟ ନବୀକରଣ କରାଯାଇଛି । କଳେବରର ପରିବର୍ତ୍ତନ ସଂପର୍କରେ ସାତ ମାସ ପୂର୍ବେ ମେ ୨୦୧୭ରେ ‘ଦି ଗାର୍ଡ଼ିଅନ’ ନିଉଜ ମିଡ଼ିଆ ପକ୍ଷରୁ ଘୋଷଣା କରାଯାଇଥିଲା । ମୁଖ୍ୟତଃ ସମ୍ୱାଦପତ୍ର ପ୍ରଯୋଜନାଜନିତ ଖର୍ଚ୍ଚକାଟ କରି ବ୍ୟବସାୟିକ କ୍ଷତି ଭରଣାଲାଗି ଏହି ପଦକ୍ଷେପ ନିଆଯାଇଥିବା ପ୍ରକାଶକଙ୍କ ପକ୍ଷରୁ କୈଫୟତ ଦିଆଯାଇଛି ।


 

କେବଳ ବ୍ରିଟେନ କାହିଁକି ସାରା ବିଶ୍ୱରେ ସମକାଳରେ ‘ଦି ଗାର୍ଡ଼ିଅନ’ ଆଗଧାଡ଼ିର ସମ୍ୱାଦପତ୍ର ।୧୮୨୧ରେ ମାଞ୍ଚେଷ୍ଟରରେ ପ୍ରକାଶନ ଆରମ୍ଭ କରିଥିବା ବାମପନ୍ଥୀ ମତଧାରାର ବାହକ ଏହି ସମ୍ୱାଦପତ୍ର ବିଂଶ ଶତାଦ୍ଦୀର ଷଷ୍ଠ ଦଶକରେ ଲଣ୍ଡନକୁ ସ୍ଥାନାନ୍ତରିତ ହୋଇଥିଲା । ୨୦୧୧ରେ ‘ଦି ଗାର୍ଡ଼ିଅନ’ ଏହାର ସାଂବାଦିକତା ଆନ୍ତର୍ଜାତିକସ୍ତରକୁ ସଂପ୍ରସାରିତ କରିଥିଲା । ବିଶେଷକରି ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆରେ ସାଂବାଦିକମାନଙ୍କୁ ନିଯୁକ୍ତି କରି ବିଶ୍ୱସ୍ତରୀୟ ସଂବାଦ ପରିବେଷଣକୁ ଗୁରୁତ୍ୱ ଦେଇଥିଲା । ଉଚ୍ଚମାନର ସାମ୍ୱାଦିକତା ପାଇଁ ପୁଲିଜର ଓ ଏମି ପୁରସ୍କାର ପ୍ରାପ୍ତ ‘ଦି ଗାର୍ଡ଼ିଅନ’ ୱିକି-ଲିକସ, ପାନାମା ଓ ପାରାଡ଼ାଇଜ ପେପରର୍ସ ଇତ୍ୟାଦି ପ୍ରକାଶନରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି ।


 

‘ଦି ଗାର୍ଡ଼ିଅନ’ ଟେବଲଏଡ଼ ଆକାରରେ ପ୍ରକାଶ ପାଇବା ଆଗରୁ ‘ଦି ଟାଇମସ’ ଭଳି ସମ୍ମାନଜନକ ସଂବାଦପତ୍ର ଟେବଲଏଡ଼ କଳେବର ଧାରଣ କରିଥିବା ଅବସରରେ ଏଗୁଡ଼ିକୁ ଚ଼ାଞ୍ଚଲ୍ୟକାରୀ ଟେବଲଏଡ଼ ସାମ୍ୱାଦିକତାର ପର୍ଯ୍ୟାୟଭୁକ୍ତ କରାଯାଇ ପାରୁ ନାହିଁ । କେତେକ ୟୁରୋପୀୟ ସଂବାଦପତ୍ର ସାଙ୍ଗକୁ ଆଷ୍ଟ୍ରେଲିଆ ଓ କାନାଡ଼ାର ବିଶିଷ୍ଟ ସମ୍ୱାଦପତ୍ରଗୁଡ଼ିକ ଟେବଲଏଡ଼ ଆକାରରେ ଦୀର୍ଘ ଦିନରୁ ପ୍ରକାଶିତ ହୋଇଚାଲିଛି। ତେଣୁ କେବଳ କଳେବରକୁ ବିଚ଼ାରକୁ ନେଇ ସମ୍ୱାଦପତ୍ରଗୁଡ଼ିକୁ ବର୍ଗୀକରଣ ସଂଭବପର ନୁହେଁ।


 

ଟେବଲଏଡ଼ ଆକାରରେ ପ୍ରବର୍ତ୍ତିତ ହେବାବେଳକୁ ‘ଦି ଗାର୍ଡ଼ିଅନ’ର ପ୍ରସାର ସଂଖ୍ୟା ଏକ ଲକ୍ଷ ୪୬ ହଜାର ଗଣତି କରାଯାଇଥିଲା । ସମ୍ୱାଦପତ୍ରର ଆକାର ପରିବର୍ତ୍ତନ ଫଳରେ ୨୦୧୯ ଏପ୍ରିଲ ସୁଦ୍ଧା ଏହାର ବ୍ୟବସାୟିକ କ୍ଷତିର ପରିମାଣ ସୁଧୁରିଯିବ ବୋଲି ଆଶା କରାଯାଉଛି ।‘ଦି ଗାର୍ଡ଼ିଅନ’ ପକ୍ଷରୁ କୁହାଯାଇଛି ଯେ ସମ୍ୱାଦପତ୍ରର ଆକାର ପରିବର୍ତ୍ତନ ହେଲେ ହେଁ ଏହାର ସମ୍ବାଦ ପରିବେଷଣ ଶୈଳୀରେ ଆଞ୍ଚ ଆସିବ ନାହିଁ ।


 

ନବକଳେବରରେ ‘ଦି ଗାର୍ଡ଼ିଅନ’ ସମ୍ୱାଦପତ୍ର ତିନିଗୋଟି ବିଭାଗରେ ପର୍ଯ୍ୟବେସିତ ହୋଇଛି । ମୂଳ ସଂବାଦପତ୍ରରେ ସମ୍ୱାଦ, ରାଜନୀତି, ଆନ୍ତର୍ଜାତିକ ଘଟଣାକ୍ରମ, ଅର୍ଥନୀତି ସହ ଶେଷ ପୃଷ୍ଠାରେ କ୍ରୀଡ଼ା ସମ୍ୱନ୍ଧୀୟ ସଂବାଦ ପରିବେଷିତ ହେଉଛି । ଦ୍ୱିତୀୟ ବିଭାଗରେ ସମ୍ପାଦକୀୟ, ଅଭିମତ, ସ୍ତମ୍ଭ, ସଂପାଦକଙ୍କୁ ପତ୍ର, ମୃତ୍ୟୁଲେଖ ଓ କ୍ରସୱାର୍ଡ଼ ସାଙ୍ଗକୁ ୟୁରୋପୀୟ ଦେଶପୁଞ୍ଜର ସମ୍ୱାଦ ‘ଜର୍ଣ୍ଣାଲ’ରେ ପ୍ରକାଶିତ ହେଉଛି ।‘ଜି୨’ନାମିତ ତୃତୀୟ ବିଭାଗରେ ଫିଚ଼ର, କଳା ଓ ସଂସ୍କୃତି ସଂପର୍କୀତ ରଚ଼ନାମାନ ସନ୍ନିବେଶିତ ହେଉଛି ।ଶନିବାର ଦିନ ସ୍ୱତନ୍ତ୍ର କ୍ରୀଡ଼ା କ୍ରୋଡ଼ପତ୍ର, ‘ରିଭ୍ୟୁ’ ନାମିତ ପୁସ୍ତକ ସମୀକ୍ଷା ସହ ଉତ୍ସବାନୁଷ୍ଠାନ ସୂଚ଼ୀ ‘ଗାଇଡ଼’, ଖାଦ୍ୟ ସଂପର୍କୀତ ‘ଫିଷ୍ଟ’ ଓ ପର୍ଯ୍ୟଟନ ରଚ଼ନା ସମୃଦ୍ଧ ‘ଟ୍ରାଭେଲ’ କ୍ରୋଡ଼ପତ୍ରମାନ ପ୍ରକାଶିତ ହେଉଛି ।


 

‘ଦି ଗାର୍ଡ଼ିଅନ’ର ରବିବାସରୀୟ ସଂସ୍କରଣ ‘ଦି ଅବଜରଭର’ ନାମରେ ପ୍ରକାଶିତ ହୋଇଥାଏ । ଏହି ସାପ୍ତାହିକୀରେ ସ୍ତମ୍ଭ, ବ୍ୟକ୍ତିକେନ୍ଦ୍ରୀକ ରଚ଼ନା, ଫେସନ, ପର୍ଯ୍ୟଟନ ଓ ଫୋଟୋଗ୍ରାଫିକୁ ପ୍ରାଧାନ୍ୟ ଦିଆଯାଇଥାଏ । ନୂତନ କଳେବରରେ ଏସବୁ ବିଭବ ଅକ୍ଷତ ରହିଛି । ଏହାର କ୍ରୋଡ଼ପତ୍ର ‘ଦି ନ୍ୟୂ ରିଭ୍ୟୁ’ରେ ରାଜନୀତି, ପୁସ୍ତକ, କଳା ଓ ସଂସ୍କୃତି ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସମୀକ୍ଷା ପ୍ରକାଶିତ ହୋଇଥାଏ ।


 

ଆନ୍ତର୍ଜାତିକସ୍ତରରେ ମୂଳସ୍ରୋତର ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ପ୍ରଯୋଜନାଜନିତ ଖର୍ଚ୍ଚକାଟ ନିମନ୍ତେ ବ୍ରଡ଼ସିଟରୁ ଟେବଲଏଡ଼କୁ କଳେବର ପରିବର୍ତ୍ତନ କରିଚ଼ାଲିଥିବା ଅବସରରେ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକ ଏହି ଘଟଣାକ୍ରମକୁ ଗଭୀର ନିରକ୍ଷଣ କରିବା ଆବଶ୍ୟକ ମନେହୁଏ ।


 

ପ୍ରଥମତଃ ସଂଖ୍ୟାଧିକ ଓଡ଼ିଆ ସମ୍ୱାଦପତ୍ର କ୍ଷତିରେ ଚ଼ାଲୁଥିବା ହେତୁ ସେମାନଙ୍କ କ୍ଷେତ୍ରରେ ଏଭଳି ଆକାର ପରିବର୍ତ୍ତନକୁ ଗ୍ରହଣ କରିବା କେତେଦୂର ଲାଭଜନକ ହେବ ହିସାବ କରାଯାଇପାରେ । ତେବେ ଅନେକ ସମ୍ୱାଦପତ୍ର ସୀମିତ ପ୍ରସାରଣରେ ଆବଦ୍ଧଥିବା ହେତୁ ଆକାର ପରିବର୍ତ୍ତନରେ ବିଶେଷ ଫରକ ପଡ଼ି ନପାରେ ବୋଲି କୁହାଯାଇପାରେ । କିନ୍ତୁ ପ୍ରସାର ସଂଖ୍ୟା ବୃଦ୍ଧିବିନା ସେମାନଙ୍କ ସମ୍ୱାଦପତ୍ର ପ୍ରକାଶନର ଆଭିମୁଖ୍ୟ କେତେଦୂର ଚ଼ରିତାର୍ଥ ହୋଇପାରିବ ସେ ସଂପର୍କରେ ପୁର୍ନବିଚ଼ାର କରିପାରନ୍ତି । ବହୁଳ ପ୍ରସାର ବିନା ସାଂବାଦିକତାର ବିକାଶ ସମ୍ଭବପର ନୁହେଁ ।


 

ଦ୍ୱିତୀୟତଃ ଟେଲିଭିଜନ ଓ ଇଣ୍ଟରନେଟ ସମ୍ୱାଦର ମୁକାବିଲା କରିବା ନିମନ୍ତେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକୁ ନିଜ ନିଜ ସଂବାଦ ପରିବେଷଣ ଧାରାକୁ ସମୃଦ୍ଧ କରିବା ବେଳ ଆସି ପହଞ୍ଚିଲାଣି । ପାଠକମାନେ ସୋସିଆଲ ମିଡ଼ିଆ, ମୋବାଇଲ ଟେଲିଭିଜନରେ ତତ୍କ୍ଷଣାତ ସଂବାଦ ପାଇସାରିବା ପରେ ସଂବାଦପତ୍ର ପୃଷ୍ଠାରେ ଅଧିକ କିଛି ଚ଼ାହିଁବା ସ୍ୱାଭାବିକ ।ଗଭୀର ଅନୁଧ୍ୟାନ, ଅନୁଶୀଳନ, ବର୍ଣ୍ଣନାତ୍ମକ ଓ ଅନୁସନ୍ଧାନମୂଳକ ସମ୍ୱାଦ ପରିବେଷଣର ଗୁରୁତ୍ୱ ବଢ଼ିବ । ଛୋଟ ସମ୍ୱାଦ ବଦଳରେ ଦୀର୍ଘ ରଚ଼ନା ଅଗ୍ରାଧୀକାର ଦାବୀ କରିବ।ଏହିସବୁ ସମ୍ଭାବ୍ୟ ପରିବର୍ତ୍ତନ ବିଚ଼ାରକୁ ନେଲେ ବ୍ରଡ଼ସିଟ ବଦଳରେ ଟେବଲଏଡ଼ ଅଙ୍ଗସଜ୍ଜା ଦୃଷ୍ଟିରୁ ଆକର୍ଷଣୀୟ ହେବା ମନେହୁଏ ।


 

ତୃତୀୟତଃ ସଂଖ୍ୟାଧିକ ସମ୍ୱାଦପତ୍ର ଭାଗରେ ବ୍ୟବସାୟିକ ମୁଦ୍ରିତ ବିଜ୍ଞାପନ ରାଜସ୍ୱ ନଗଣ୍ୟ ପ୍ରମାଣିତ ହେଉଥିବାସ୍ଥଳେ ଟେବଲଏଡ଼ ଆକାର ଓ ରଙ୍ଗୀନ ପୃଷ୍ଠା ସାଙ୍ଗକୁ ପ୍ରସାର ସଂଖ୍ୟା ବୃଦ୍ଧି ବିଜ୍ଞାପନଦାତାଙ୍କୁ ଆକର୍ଷିତ କରିବାଲାଗି ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିବାରେ ସହାୟକ ହୋଇପାରିବା ଆଶା କରାଯାଇପାରେ ।


 

ଚ଼ତୁର୍ଥତଃ ପାରମ୍ପରିକଭାବେ ସମ୍ୱାଦପତ୍ର ଗ୍ରାହକମାନେ ଦୀର୍ଘକାଳରୁ ପ୍ରକାଶିତ ତଥା ପ୍ରତିଷ୍ଠିତ ଦୈନିକ ସମ୍ୱାଦପତ୍ରଗୁଡ଼ିକୁ ଘରେ ପାଇ ଆସୁଥିବାସ୍ଥଳେ ନୂତନ ସମ୍ୱାଦପତ୍ର ବିକଳ୍ପ ବଜାର, ଯଥା: ରାସ୍ତାଘାଟରେ ହକର, ଗଢ଼ି ଉଠୁଥିବା ମଲ ଓ ନିଉଜଷ୍ଟାଣ୍ଡ ଯୋଗେ ନିଜ ପ୍ରସାର ବୃଦ୍ଧି ପାଇଁ ଉଦ୍ୟମ କରିବା ଅନ୍ୟତ୍ର ଦେଖିବାକୁ ମିଳିଥାଏ । ସେଭଳି ବିଜନେସ୍ ପ୍ଳାନ ଓଡ଼ିଶାରେ ଉପଯୋଗ ଅସଂଭବ ନୁହେଁ ।


 

ପଞ୍ଚମତଃ ‘ଦି ଗାର୍ଡ଼ିଅନ’ ସମ୍ୱାଦପତ୍ର ବ୍ୟବସାୟିକ ଆର୍ଥିକ ବିଶୃଙ୍ଖଳାର ସମ୍ମୁଖୀନ ହେବାପରେ ୨୦୧୭ରେ ଏକ ତିନିବର୍ଷିଆ ଆର୍ଥିକ ସୁଧାର କାର୍ଯ୍ୟକ୍ରମ ହାତକୁ ନେଇଥିଲା । ସାମ୍ୱାଦିକତାର ବିକାଶ ନିମନ୍ତେ ‘ଗାର୍ଡ଼ିଅନ.ଓଆରଜି’ ଭଳି ଅଣବ୍ୟବସାୟିକ ଅଙ୍ଗ ସୃଷ୍ଟି କରିବାଠାରୁ ଆରମ୍ଭ କରି ଆଗ୍ରହୀ ପାଠକମାନଙ୍କଠାରୁ ଦାନ ସଂଗ୍ରହ ସହିତ ସମ୍ୱାଦପତ୍ରର ଆଙ୍ଗୀକ ପରିବର୍ତ୍ତନ ଭଳି ପଦକ୍ଷେପମାନ ଗ୍ରହଣକରିଛି । ଅସଂଜତ ଅବସ୍ଥାରେ ପଡ଼ିରହିଥିବା ଓଡ଼ିଆ ସମ୍ୱାଦପତ୍ରମାନେ ଏଭଳି ସମୟସୀମାଭିତ୍ତିକ ସ୍ୱକୀୟ କାର୍ଯ୍ୟକ୍ରମ ପ୍ରଯୋଜନା କରିପାରିଲେ ଅବଶ୍ୟ ସୁଫଳ ପାଇପାରିବେ ।


 

ଅବଶ୍ୟ କେବଳ ଆକାର ପରିବର୍ତ୍ତନରେ ସାମ୍ୱାଦିକତା ବିକାଶ ଆଶା କରାଯାଇ ନପାରେ ।ତେବେ ଏଭଳି ଏକ ପରିବର୍ତ୍ତର ଚ଼ିନ୍ତା ଅନ୍ୟାନ୍ୟ ପରିବର୍ତ୍ତନଲାଗି ସୁଯୋଗ ସୃଷ୍ଟି କରିପାରିବ କି ତାହା ବିଚ଼ାର୍ଯ୍ୟ । ରାଜ୍ୟରେ ସାମ୍ୱାଦିକତାର ବିକାଶଲାଗି ପରିବର୍ତ୍ତନ ଯେ ଅପରିହାର୍ଯ୍ୟ ଏଥିରେ ଦ୍ୱିମତ ନାହିଁ ।       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୬ ଜାନୁୟାରୀ ୨୦୧

ଦୈନିକ ସମ୍ୱାଦପତ୍ରର ଦ୍ୱି- ବାର, ତ୍ରି- ବାର ସାପ୍ତାହିକ ରୂପ

ଓଡ଼ିଶାର ପାଠକମାନେ ସାଧାରଣତଃ ଦୈନିକ ସମ୍ୱାଦପତ୍ର ସାଙ୍ଗକୁ ସାପ୍ତାହିକ, ପାକ୍ଷିକ, ମାସିକ, ଦ୍ୱି-ମାସିକ, ତ୍ରୈୟମାସିକ କିମ୍ୱା ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପତ୍ରପତ୍ରିକା ସହ ପରିଚିତ । ସପ୍ତାହରେ ଦ୍ୱି-ବାର ବା ତ୍ରି-ବାର ସମ୍ୱାଦପତ୍ର ସଂପର୍କରେ ପ୍ରାୟତଃ ଅଜ୍ଞ । ଭାରତରେ ହିନ୍ଦି ସମେତ କେତେକ ଭାଷାରେ ସ୍ଥାନେ ସ୍ଥାନେ ଦ୍ୱି-ବାର ଓ ତ୍ରି-ବାର ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶିତ ହୁଏ । ଉଦାହରଣରେ ପ୍ରତି ସପ୍ତାହର ବୁଧବାର ଓ ରବିବାର ଦିନ ଦ୍ୱି-ବାର ସାପ୍ତାହିକ କିମ୍ୱା ସୋମବାର, ବୁଧବାର ଓ ଶୁକ୍ରବାର ଦିନ ତ୍ରି-ବାର ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶନ ହୋଇପାରେ । ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକ ମୁଖ୍ୟତଃ ପ୍ରତି ଶୁକ୍ରବାର, ଶନିବାର କିମ୍ୱା ରବିବାର ଦିନ ପ୍ରକାଶିତ ହେଉଥିବା ସ୍ଥଳେ ଦ୍ୱି-ବାର ଓ ତ୍ରି-ବାର ସାପ୍ତାହିକ ସମ୍ୱାଦପତ୍ର ସପ୍ତାହର ନିର୍ଦ୍ଧିଷ୍ଟ ଦିବସଗୁଡ଼ିକରେ ପ୍ରକାଶିତ ହୁଏ ।


 

ଅନେକ ସମ୍ୱାଦପତ୍ର ରବିବାର ଦିନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହୁଥିବା ହେତୁ ସମ୍ୱାଦପତ୍ର ବିକ୍ରୀରେ ମାନ୍ଦାବସ୍ଥା ଆଶଙ୍କାରେ ପ୍ରକାଶନ ନିମନ୍ତେ ଆଗ୍ରହ ପ୍ରକାଶ କରିନଥାନ୍ତି । ‘ବିଜିନେସ ଷ୍ଟାଣ୍ଡାର୍ଡ’ ଭଳି କେତେକ ଦୈନିକ ସମ୍ୱାଦପତ୍ର ରବିବାର ସଂସ୍କରଣ ପ୍ରକାଶିତ ହୁଏ ନାହିଁ । ଅତୀତରେ ବହୁ ଦୈନିକ ସମ୍ୱାଦପତ୍ର ସପ୍ତାହରେ ସାତଦିନ ବଦଳରେ ରବିବାରକୁ ଛାଡ଼ି ଛଅଦିନ ପ୍ରକାଶନ ପରମ୍ପରାରେ ଅଭ୍ୟସ୍ତ ଥିଲେ ।


 

ଯୁକ୍ତରାଷ୍ଟ୍ର ଆମେରିକା ସମେତ ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଇଣ୍ଟରନେଟର ବ୍ୟାପ୍ତି ଓ ପାଠ୍ୟ ବଦଳରେ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମ ଟେଲିଭିଜନ, ଭିଡ଼ିଓର ଲୋକପ୍ରିୟତା ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ କ୍ଷେତ୍ରରେ ଅନିଶ୍ଚିତତା ସୃଷ୍ଟି କରିଚାଲିଛି । ବିଜ୍ଞାପନ ବ୍ୟୟ ଅନଲାଇନ ପରିବେଶକୁ ସ୍ଥାନାନ୍ତରିତ ହେବାପରେ ଅନେକ ସମ୍ୱାଦପତ୍ର ଡ଼ିଜିଟାଲ ସଂସ୍କରଣକୁ ଗୁରୁତ୍ୱ ଦେଉଛନ୍ତି । ଅସଂଖ୍ୟ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ବନ୍ଦ କରିସାରିଥିବା ସ୍ଥଳେ କେତେକ ସମ୍ୱାଦପତ୍ର ଦୈନିକ ବଦଳରେ ଦ୍ୱି-ବାର, ତ୍ରି-ବାର ବା ସାପ୍ତାହିକ ମୁଦ୍ରିତ ସଂସ୍କରଣ ପ୍ରକାଶନ ନିମନ୍ତେ ଉଦ୍ୟମ ଆରମ୍ଭ କରିଥିବା ଜଣାଯାଏ । ଦୈନିକ ସମ୍ୱାଦପତ୍ର କ୍ଷେତ୍ରରେ ଏହି ପ୍ରବାହ ଏକ ନୂତନ ସମୀକରଣ ସୃଷ୍ଟି କରିଛି ।


 

ମୁଦ୍ରିତ ସମ୍ୱାଦପତ୍ର ପ୍ରୟୋଜନା ନିମନ୍ତେ ସମ୍ୱାଦପତ୍ର ଛାପା କାଗଜ କାଳି ସାଙ୍ଗକୁ ପାଠକଙ୍କ ହାତପାଆନ୍ତାରେ ପହୁଞ୍ଚାଇବା ନିମନ୍ତେ ବଣ୍ଟନ ‘ହକିଙ୍ଗ’ ଦେୟ ବ୍ୟୟ ପାରମ୍ପରିକ ବିଜ୍ଞାପନ ଆଶ୍ରିତ ମଡ଼େଲରେ ମୁଖ୍ୟତଃ ବ୍ୟାବସାୟିକ ବିଜ୍ଞାପନ ଆୟରୁ ଭରଣା ହୋଇଥାଏ । ଏହି ମଡ଼େଲରେ ଗ୍ରାହକ ଦେୟ ‘ସବସ୍କ୍ରିପସନ’ ଆୟର ଭୂମିକା ସୀମିତ । ପରିବର୍ତ୍ତିତ ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରରୁ ଆୟ କମିଆସୁଥିବା ତଥା ପ୍ରଯୋଜନା ବ୍ୟୟ ବଢୁଥିବା ଅବସରରେ ଦୈନିକ ସମ୍ୱାଦପତ୍ରଗୁଡ଼ିକ ସପ୍ତାହରେ କିଛି ସଂସ୍କରଣ ବନ୍ଦ କରିଦେବା ଗୋଟିଏ ଉପାୟ ମନେ କରାଯାଉଛି ।


 

ଅନଲାଇନ ପରିବେଶରେ ବିଶ୍ୱବ୍ୟାପୀ ଉପଭୋକ୍ତାମାନଙ୍କ ଉପସ୍ଥିତି କ୍ରମଶଃ ବଢ଼ିଚାଲିବାରେ ଲାଗିଛି । ଏହି କାରଣରୁ ସମ୍ୱାଦପତ୍ରଗୁଡ଼ିକ ଦୈନିକ ଗୋଟିଏ କିମ୍ୱା ଦୁଇଗୋଟି ସଂସ୍କରଣ ମୁଦ୍ରଣ କରିବା ବଦଳରେ ଦିନ ରାତି ୨୪ ଘଣ୍ଟା ଅନଲାଇନରେ ଘଟଣାକ୍ରମ ନିଜସ୍ୱ ୱେବସାଇଟରେ ଉପସ୍ଥାପନ ସାଙ୍ଗକୁ ସାପ୍ତାହିକଭିତ୍ତିରେ ସୀମିତ ମାତ୍ରାରେ ସମ୍ୱାଦପତ୍ରର ମୁଦ୍ରିତ ସଂସ୍କରଣ ପ୍ରକାଶନ ଯୁକ୍ତିଯୁକ୍ତ ମନେହୁଏ ।


 

ପ୍ରଥମତଃ ସମ୍ୱାଦପତ୍ରର ଆୟ ଓ ବ୍ୟୟରେ ସମତୁଲ ରକ୍ଷା ନକରାଯାଇପାରିଲେ ବ୍ୟବସାୟ ତିଷ୍ଠିପାରିବ ନାହିଁ । ଦ୍ୱିତୀୟତଃ ପର୍ଯ୍ୟାପ୍ତ ଆୟ ଅଭାବରେ ବ୍ୟୟ ଭରଣାଲାଗି ସରକାରୀ ତଥା ବ୍ୟାବସାୟିକ ବଦାନ୍ୟତା ଉପରେ ନିର୍ଭରଶୀଳତା କିମ୍ୱା ତୃତୀୟତଃ ଆବଶ୍ୟକତାରୁ କମ ସଂଖ୍ୟକ ସାମ୍ୱାଦିକ ନିଯୁକ୍ତି ସାମ୍ୱାଦିକତାର ମାନ ହ୍ରାସର କାରଣ ପାଲଟିଥାଏ । ଚତୁର୍ଥତଃ ସୀମିତ ସମ୍ୱଳରେ ସ୍ୱଳ୍ପ ସମୟ ଅବଧିରେ ନିମ୍ନମାନର ସମ୍ୱାଦ ପ୍ରକାଶନ ବଦଳରେ ଦୀର୍ଘ ଅବଧିରେ ଉଚ୍ଚମାନର ସମ୍ୱାଦ ପ୍ରକାଶନ ଶ୍ରେୟସ୍କର । ପଞ୍ଚମତଃ ବୈଷୟିକ ପ୍ରଗତି ଓ ଚଳନ୍ତି ପ୍ରବାହର ବିରୁଦ୍ଧାଚରଣ କରି ମୁଦ୍ରଣ ମାଧ୍ୟମକୁ ଜାବୁଡି ଧରିବସିବା ଭାବପ୍ରବଣତା ତଥା ମାନସିକସ୍ତରରେ ଅପରିପକ୍ୱତାର ପରିଚୟ ଦେବ ।


 

ଅନଲାଇନ ଭିଡ଼ିଓ ଯଦି ଭବିଷ୍ୟତ, ତେବେ ସମ୍ୱାଦ ସଂସ୍ଥାଗୁଡ଼ିକ ସେଦିଗରେ ମନୋନିବେଶ କରିବା ଉଚିତ । ଅନଲାଇନ ପାଠ୍ୟ ଓ ଭିଡ଼ିଓ ସହ ସୀମିତ ମୁଦ୍ରିତ ପାଠ୍ୟ ଯଦି ସଂବାଦ ସରବରାହ ନିମନ୍ତେ ଆବଶ୍ୟକବୋଲି ଅନୁଭବ କରାଯାଏ ତେବେ ସେଭଳି ମଡ଼େଲମାନ ବିକଶିତ କରାଯାଇପାରେ । ଏହି ପରିପ୍ରେକ୍ଷୀରେ ଦୈନିକ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଦ୍ୱି-ବାର ବା ତ୍ରି-ବାର ସାପ୍ତାହିକୀରେ ପରିବର୍ତ୍ତନ ସଂଭବପର । ପାଶ୍ଚାତ୍ୟ ଭୂଖଣ୍ଡରେ ଅନଲାଇନ ଉପଭୋକ୍ତା ବୃଦ୍ଧି, ବିଜ୍ଞାପନ ସ୍ଥାନାନ୍ତର ଓ ପାଠକୀୟ ଆଗ୍ରହ ଯଦି ଭାରତ ତଥା ଓଡ଼ିଶା ଗଣମାଧ୍ୟମ ପରିବେଶରେ ପ୍ରତିବିମ୍ଵିତ ହେବା ଆଶଙ୍କା ପ୍ରକାଶ ପାଏ, ତେବେ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପରେ ସେଥିପ୍ରତି ପୂର୍ବପ୍ରସ୍ତୁତି ବୁଦ୍ଧିମାନ ବିବେଚିତ ହେବ ।


 

ଓଡ଼ିଶାରେ ପ୍ରକାଶିତ ଦୈନିକ ସମ୍ୱାଦପତ୍ରଗୁଡ଼ିକୁ ଦୁଇଗୋଟି ବର୍ଗରେ ବିଭକ୍ତ କରାଯାଇପାରେ । ଅଳ୍ପ କେତେଗୋଟି ସମ୍ୱାଦପତ୍ର ବହୁଳ ପ୍ରସାରିତ ଏବଂ ସେଗୁଡ଼ିକ ବ୍ୟାବସାୟିକ ବିଜ୍ଞାପନ ଆଶ୍ରିତ । ଅଧିକସଂଖ୍ୟକ ସମ୍ୱାଦପତ୍ର ପ୍ରସାର ସଂଖ୍ୟା ସୀମିତ ଏବଂ ସରକାରୀ ବିଜ୍ଞାପନ ଆଶ୍ରିତ । ଦ୍ୱିତୀୟ ବର୍ଗର ସମ୍ୱାଦପତ୍ରର ବ୍ୟବସାୟ ସରକାରୀ ନୀତିନିୟମ ଦ୍ୱାରା ପ୍ରଭାବିତ ହୋଇଥିବା ହେତୁ ପ୍ରତ୍ୟେହ ସଂସ୍କରଣ ପ୍ରକାଶ କରିବାକୁ ବାଧ୍ୟ । ଏମାନଙ୍କ କ୍ଷେତ୍ରରେ ସାମ୍ୱାଦିକତା ବିକାଶ ଓ ପ୍ରସାରଣ ବୃଦ୍ଧିରେ ମନୋନିବେଶ କରିବା ଆର୍ଥିକ ଦୃଷ୍ଟିରୁ ଅସମ୍ଭବ । ଏବେ ପ୍ରଥମ ପର୍ଯ୍ୟାୟର ସମ୍ୱାଦପତ୍ରଗୁଡ଼ିକ ମଧ୍ୟରୁ କେତେକ ବିଜ୍ଞାପନ ଆୟ ହ୍ରାସ ଓ ପ୍ରଯୋଜନା ଖର୍ଚ୍ଚ ବୃଦ୍ଧିରେ ସମତୁଲ ରକ୍ଷା ପାଇଁ ୨୦୨୦ ରୁ ୨୦୨୫ ମଧ୍ୟରେ ଦୈନିକ ବଦଳରେ ସାପ୍ତାହିକ, ଦ୍ୱି-ବାର ବା ତ୍ରି-ବାର ମଡ଼େଲକୁ ରୂପାନ୍ତରିତ ହେବା ଆକଳନ କରାଯାଇପାରେ ।


 

ଗଣମାଧ୍ୟମ ପରିବେଶରେ ଅତୀତ ଇତିହାସକୁ ଅନୁଧ୍ୟାନ କଲେ ଯାହା ବିକଶିତ ରାଷ୍ଟ୍ରଗୁଡ଼ିକରେ ବର୍ତ୍ତମାନ ପ୍ରଚଳନ ହେଉଛି ତାହା ଭାରତରେ ଆଗାମି ତିନି ବର୍ଷ ଓ ଓଡ଼ିଶାରେ ପାଞ୍ଚ ବର୍ଷ ପରେ ପ୍ରବର୍ତ୍ତିତ ହେବା ବିଶ୍ୱାସ କରାଯାଇପାରେ । ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ସମ୍ୱାଦପତ୍ରଗୁଡ଼ିକ ସାପ୍ତାହିକ ସଂସ୍କରଣ ସଂଖ୍ୟା କମାଇବା ଅବସରରେ କିପରି ୮୦ ପ୍ରତିଶତ ଯାଏଁ ବିଜ୍ଞାପନ ଆୟ ଓ ୭୦ ରୁ ୯୦ ପ୍ରତିଶତ ଯାଏଁ ଗ୍ରାହକ ଚାନ୍ଦା ବଜାୟ ରଖିପାରିବେ ସେଭଳି ବ୍ୟାବସାୟିକ ରଣନୀତି ଗ୍ରହଣ କରୁଥିବା ଗଣମାଧ୍ୟମ ସମୀକ୍ଷକମାନେ ଉଲ୍ଲେଖ କରିଥାନ୍ତି ।


 

ଦୈନିକ ସମ୍ୱାଦପତ୍ରଗୁଡ଼ିକ ସାପ୍ତାହିକ, ଦ୍ୱି-ବାର ବା ତ୍ରି-ବାର ସାପ୍ତାହିକ ସମ୍ୱାଦପତ୍ରରେ ପ୍ରବର୍ତ୍ତିତ କରିବା ନିମନ୍ତେ ଦୀର୍ଘ ପ୍ରସ୍ତୁତି ଆବଶ୍ୟକ । ପ୍ରଥମତଃ ସମ୍ୱାଦ ରଚନା, ଉପସ୍ଥାପନ ଓ ସୃଜନ ଏକତ୍ରୀକରଣ ନିମନ୍ତେ ବଳିଷ୍ଠ ସମ୍ପାଦକୀୟ ନୀତି ପ୍ରଣୟନ ସହ ଉପଲବ୍ଧ ପ୍ରତିଭାମାନଙ୍କୁ ତାଲିମ ପ୍ରାପ୍ତ କରିବାକୁ ପଡ଼ିବ । ଦ୍ୱିତୀୟତଃ ପ୍ରସାରଣ ଢାଞ୍ଚାରେ ପରିବର୍ତ୍ତନ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଗଠନ ଲୋଡ଼ା । ତୃତୀୟତଃ ଡ଼ିଜିଟାଲ ଓ ଭିଡ଼ିଓ ମଞ୍ଚ ସହ ଏକତ୍ର ସହବସ୍ଥାନ ତଥା ଗୁଣାତ୍ମକ ସାମ୍ୱାଦିକତା ପ୍ରଚଳନ ନିମନ୍ତେ ଅଭ୍ୟାସ ଜରୁରୀ ଇତ୍ୟାଦି । ବିନା ପ୍ରସ୍ତୁତିରେ କେବଳ ସାପ୍ତାହିକଭିତ୍ତିରେ କେତେଗୋଟି ସଂସ୍କରଣ ବନ୍ଦ କରିଦେବା ଆତ୍ମଘାତୀ ସାବ୍ୟସ୍ତ ହେବା ନିଶ୍ଚିତ ।


 

ଅନଲାଇନ ପରିବେଶର ବ୍ୟାପ୍ତିରେ ମୁଦ୍ରିତ ସମ୍ୱାଦପତ୍ର ଉଭେଇ ନଯାଇପାରେ, ତେବେ ଦୈନିକଗୁଡ଼ିକ କ୍ଷେତ୍ରରେ ପ୍ରକାଶନ ଅବଧି ହ୍ରାସ ଏକ ବିକଳ୍ପ ବିଶ୍ୱାସ କରାଯାଇପାରେ ।        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ନଭେମ୍ୱର ୨୦୧

ଦୈନିକରୁ ସାପ୍ତାହିକ

ଭାରତର ଅନ୍ୟତମ ପ୍ରମୁଖ ଗଣମାଧ୍ୟମ ପ୍ରତିଷ୍ଠାନ ‘ଦି ଟାଇମ୍ସ ଅଫ ଇଣ୍ଡିଆ ଗୃପ’ ପକ୍ଷରୁ ଇଂଲିଶ ଦୈନିକ ‘ମୁମ୍ୱାଇ ମିରର’ର ପ୍ରକାଶନ ବନ୍ଦ କରିଦେବା ନେଇ ଡ଼ିସେମ୍ୱର ୨୦୨୦ ପ୍ରଥମ ସପ୍ତାହରେ ସୂଚ଼ିତ ହୋଇଥିଲା । ମହାନଗରୀ ମୁମ୍ୱାଇର ସମ୍ୱାଦପତ୍ରଗୁଡ଼ିକ ମଧ୍ୟରେ ପନ୍ଦର ବର୍ଷ ଧରି ‘ମୁମ୍ୱାଇ ମିରର’ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଥିଲା । ଏହାର ପ୍ରସାର ସଂଖ୍ୟା ପ୍ରାୟ ସାତ ଲକ୍ଷ ହିସାବ କରାଯାଏ ।


 

‘ମୁମ୍ୱାଇ ମିରର’ର ମୁଦ୍ରିତ ଦୈନିକ ସଂସ୍କରଣ ବନ୍ଦ ହୋଇ ଏକ ସାପ୍ତାହିକ ସଂସ୍କରଣ ରୂପେ ପ୍ରକାଶନର ବ୍ୟବସ୍ଥା କରାଯିବ । ତେବେ ଡ଼ିଜିଟାଲ ମଞ୍ଚରେ ଉପସ୍ଥିତି ବଳବତ୍ତର ରହିବ ଏବଂ ଡିଜିଟାଲ ସଂସ୍କରଣର ଗୁଣବତ୍ତା ବୃଦ୍ଧି ପ୍ରାଥମିକତା ପାଇବ । ଅର୍ଥାତ ‘ମୁମ୍ୱାଇ ମିରର’ ଡିଜିଟାଲ-ଫାଷ୍ଟ ଆଙ୍ଗିକ ଗ୍ରହଣ କରିବ । ପାଠକମାନେ ୨୪ ଘଣ୍ଟା x ୭ ଦିନ ଭିତ୍ତିରେ ମୁମ୍ୱାଇ ମହାନଗରୀର ଚଳନ୍ତି ଘଟଣାକ୍ରମ ମୋବାଇଲ ଫୋନ ପର୍ଦ୍ଦାରେ ତତ୍ କ୍ଷଣାତ ଅବଗତ ହେବା ପରେ ଆବଶ୍ୟକ ସ୍ଥଳେ ବିସ୍ତୃତ ବର୍ଣ୍ଣନା ବା ଗଭୀର ଅନୁଶୀଳନ ନିମନ୍ତେ ସାପ୍ତାହିକ ସଂସ୍କରଣ ଖୋଜିବେ ।


 

ପ୍ରକାଶକଙ୍କ ପକ୍ଷରୁ କୁହାଯାଇଛି ଯେ ମହାମାରୀଜନିତ ଅର୍ଥନୀତିକ ମାନ୍ଦାବସ୍ଥା ହେତୁ ରାଜସ୍ୱ ଆୟ ହ୍ରାସ ଏବଂ ବୈଦେଶିକ ନିଉଜପ୍ରିଣ୍ଟ ଦର ବୃଦ୍ଧିର ମୁକାବିଲା କରିବା ନିମନ୍ତେ ଦୈନିକ ସମ୍ୱାଦପତ୍ରର ମୁଦ୍ରିତ ସଂସ୍କରଣକୁ ସାପ୍ତାହିକରେ ରୂପାନ୍ତରିତ କରିବା ନିମନ୍ତେ ବାଧ୍ୟ ହୋଇଛନ୍ତି । ଅପରପକ୍ଷେ ଗଣମାଧ୍ୟମ ବିଶ୍ଳେଷକମାନେ ଆନ୍ତର୍ଜାତିକସ୍ତରରେ ଡିଜିଟାଲ ସମ୍ୱାଦ ମଞ୍ଚର କ୍ରମୋନ୍ନତି ଓ ମୁମ୍ୱାଇ ଭଳି ବିକଶିତ ମହାନଗରୀରେ ତାହାର ପ୍ରଭାବ ତଥା ମହାମାରୀ-ପର ଅବସ୍ଥାରେ ମୁଦ୍ରିତ ସମ୍ୱାଦପତ୍ର ବିତରଣ ଓ ଗ୍ରାହକ ସଂଖ୍ୟା ହ୍ରାସ ଭଳି କାରଣ ଗୁଡ଼ିକ ଟାଇମ୍ସ ଗୃପକୁ ଏତାଦୃଶ ନିଷ୍ପତ୍ତି ଗ୍ରହଣ ନିମନ୍ତେ ପ୍ରୋତ୍ସାହିତ କରିଥାଇପାରେ ବୋଲି ବିଶ୍ୱାସ କରନ୍ତି ।


 

ବିଂଶ ଶତାଦ୍ଦୀର ଶେଷଦଶକରୁ ତିନି ଦଶନ୍ଧି ଧରି ୧୮୨ ବର୍ଷ ପୁରାତନ ‘ବେନେଟ କୋଲାମିନ ଏଣ୍ଡ କମ୍ପାନୀ ଲିମିଟେଡ଼’ ଦେଶରେ ଗଣମାଧ୍ୟମ ବ୍ୟବସାୟରେ ଆଗୁଆ ରହିଆସିଛି । ‘ଦି ଟାଇମ୍ସ ଅଫ ଇଣ୍ଡିଆ’ର ମୁମ୍ୱାଇ ଓ ଭୁବନେଶ୍ୱର ସମେତ ୫୦ ରୁ ଉର୍ଦ୍ଧ୍ୱ ସଂସ୍କରଣ ସାଙ୍ଗକୁ ‘ଦି ଇକନୋମିକ ଟାଇମ୍ସ’, ‘ନବ ଭାରତ ଟାଇମ୍ସ’ (ହିନ୍ଦି), ‘ମହାରାଷ୍ଟ୍ର ଟାଇମ୍ସ’ (ମରାଠୀ), ‘ଏଇ ସମୟ’ (ବଙ୍ଗଳା) ଦୈନିକ ସମ୍ୱାଦପତ୍ର ତଥା ଅନ୍ୟାନ୍ୟ ପତ୍ରପତ୍ରିକା ସମେତ ରେଡ଼ିଓ ମିର୍ଚ୍ଚି, ଟାଇମ୍ସ ନାଓ ଟେଲିଭିଜନ ଓ ଇଣ୍ଡିଆ ଟାଇମ୍ସ ଡିଜିଟାଲ ମଞ୍ଚ ଟାଇମ୍ସ ଗୃପ ମାଲିକାନାରେ ପରିଚାଳିତ ।


 

ଦୈନିକ ଇଂଲିଶ ସମ୍ୱାଦପତ୍ର ‘ମୁମ୍ୱାଇ ମିରର’ ସାଙ୍ଗକୁ ‘ପୁଣେ ମିରର’ର ପ୍ରକାଶନ ବନ୍ଦ କରିବା ନିମନ୍ତେ ନୀତି ନିର୍ଦ୍ଧାରଣ କରାଯାଇଥିବା ସ୍ଥଳେ ଅନୁରୂପ ‘ଅହମ୍ମଦାବାଦ ମିରର’ ଓ ‘ବାଙ୍ଗାଲୋର ମିରର’ ସଂପର୍କରେ କୌଣସି ନିଷ୍ପତ୍ତି ଘୋଷିତ ହୋଇନାହିଁ । ‘ମୁମ୍ୱାଇ ମିରର’ ୨୦୦୫ ମେ’୩୦ ତାରିଖ ଦିନ ପ୍ରଭାତୀ ଟେବଲଏଡ଼ ଭାବେ ଆତ୍ମପ୍ରକାଶ କରିଥିଲା । ସେହି ସମୟ ବେଳକୁ ‘ଦି ଟାଇମ୍ସ ଅଫ ଇଣ୍ଡିଆ’ ମୁମ୍ୱାଇର ସର୍ବାଧିକ ପ୍ରସାରିତ ସମ୍ୱାଦପତ୍ରର ମାନ୍ୟତା ପାଇ ସାରିଥିବା ସତ୍ତ୍ୱେ ‘ହିନ୍ଦୁସ୍ଥାନ ଟାଇମ୍ସ’ର ମୁମ୍ୱାଇ ସଂସ୍କରଣ ଓ ନୂତନ ‘ଡ଼େଇଲି ନିଉଜ ଏଣ୍ଡ ଏନାଲିସିସ (ଡିଏନଏ)’ ପ୍ରକାଶନକୁ ମୁକାବିଲା କରିବା ନିମନ୍ତେ ସ୍ଥାନୀୟ ସାମ୍ୱାଦିକତା ‘ଲୋକାଲ ଜର୍ଣ୍ଣାଲିଜମ’କୁ ଭିତ୍ତିକରି ‘ମୁମ୍ୱାଇ ମିରର’ ମହାନଗରୀ ବଜାରରେ ପହଞ୍ଚିଥିଲା ।


 

‘ଦି ଟାଇମ୍ସ ଅଫ ଇଣ୍ଡିଆ’ ଓ ‘ଦି ଇକନୋମିକ ଟାଇମ୍ସ’ ସହ ‘ମୁମ୍ୱାଇ ମିରର’ ଉପଭୋକ୍ତାଙ୍କ ମଧ୍ୟରେ ବିତରଣ ପ୍ରକ୍ରିୟା ତତ୍ କ୍ଷଣାତ ଏକ ବୃହତ ପାଠକ ଶ୍ରେଣୀ ଗଠନରେ ସହାୟକ ହୋଇପାରିଥିଲା । ଜାତୀୟସ୍ତରର ‘ଦି ଟାଇମ୍ସ ଅଫ ଇଣ୍ଡିଆ’ର ସମ୍ପାଦକୀୟ ନୀତିରେ ସ୍ଥାନୀୟ ପାଠକ ଓ ସମସ୍ୟାକୁ ଗୁରୁତ୍ୱ ଦିଆଯାଇ ନପାରୁଥିବା ସ୍ଥଳେ ‘ମୁମ୍ୱାଇ ମିରର’ ସେହି ଅଭାବ ପୂରଣ କଲା । ଅପରପକ୍ଷେ ଦେଶର ଅର୍ଥନୀତି ଉର୍ଦ୍ଧ୍ୱଗାମୀ ଥିବା ପରିସ୍ଥିତିରେ ଟାଇମ୍ସ ଗୃପର ସଂଗଠିତ ମାର୍କେଟିଂ ଦକ୍ଷତା ପ୍ରଚୁର ବିଜ୍ଞାପନ ସଂଗ୍ରହରେ ସମର୍ଥ ହୋଇ ପାରିଥିଲା । ଫଳତଃ, ଖୁବ କମ ସମୟ ମଧ୍ୟରେ ‘ମୁମ୍ୱାଇ ମିରର’ ମୁମ୍ୱାଇବାସୀଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା ।


 

ମହାମାରୀ ପୂର୍ବାବସ୍ଥାରୁ ମୁମ୍ୱାଇ ଭଳି ସହରାଞ୍ଚଳ ଇଂଲିଶ ସମ୍ୱାଦପତ୍ର ପାଠକମାନେ ୫୬ ପ୍ରତିଶତ ଯାଏଁ ଡିଜିଟାଲ ମଞ୍ଚ ମୁହାଁ ହେବା ଏବଂ ତିନିଚାରି ବର୍ଷଧରି ଦୁର୍ବଳ ଆର୍ଥନୀତି କାରଣରୁ ମୁଦ୍ରିତ ମଞ୍ଚରେ ବିଜ୍ଞାପନ ବ୍ୟୟ କ୍ରମଶଃ କମି ଆସିବା ହେତୁ ହୁଏତ ‘ମୁମ୍ୱାଇ ମିରର’ ବ୍ୟାବସାୟିକ ଦିଗରୁ ବିଫଳତାର ସ୍ୱାଦ ଚାଖିସାରିଥିଲା । ଏହି ପରିସ୍ଥିତିରେ ମହାମାରୀରେ ମୁମ୍ୱାଇ ବ୍ୟାପକଭାବେ ପ୍ରଭାବିତ ହେବା, ଆଇନଗତ କାରଣରୁ ସମ୍ୱାଦ ରଚନା ଓ ସମ୍ପାଦନାରେ ଅଙ୍କୁଶ ସାଙ୍ଗକୁ ଭୂତାଣୁ ସଂକ୍ରମଣ ଭୟରେ ସମ୍ୱାଦପତ୍ର ବିତରଣ ବାଧାପ୍ରାପ୍ତ ହେବା ଏବଂ ସର୍ବୋପରି ବଜାରବିପ୍ପଣୀ ଦୀର୍ଘ କାଳ ଧରି ବନ୍ଦ ରହିବା ଫଳରେ ସ୍ଥାନୀୟ ବିଜ୍ଞାପନ ଭୁଷୁଡ଼ି ପଡ଼ିବା ‘ମୁମ୍ୱାଇ ମିରର’ ପ୍ରତି କାଳ ସାଜିଲା ।


 

ବିଗତ ତିନି ଦଶନ୍ଧି ଧରି ଟାଇମ୍ସ ଗୃପ ରାଜନୀତିକ ପକ୍ଷପାକ୍ଷିତାରୁ ଦୂରେଇ ରହି ମୁଖ୍ୟତଃ ବ୍ୟାବସାୟିକ ମଡ଼େଲରେ ବିକଶିତ ହୋଇଛି । ଗଣମାଧ୍ୟମ ବ୍ୟବସାୟରେ ବିଜ୍ଞାପକ, ଗ୍ରାହକ ଓ ପ୍ରକାଶକଙ୍କ ମଧ୍ୟରେ ବାସ୍ତବଧର୍ମୀ ସମୀକରଣ ସ୍ଥାପନ କରିପାରୁଥିବା ହେତୁ ଏହାର ଉତ୍ତରୋତ୍ତର ଉନ୍ନତି ସମ୍ଭବପର ହୋଇପାରୁଛି । ନୂତନ କାରିଗରୀ କୌଶଳ ସାଙ୍ଗକୁ ଆନ୍ତର୍ଜାତିକସ୍ତରରେ ଅନୁସୃତ ପ୍ରବାହ ‘ଟ୍ରେଣ୍ଡ’ ଅନୁକରଣରେ ପ୍ରତିଯୋଗୀ ମଞ୍ଚଗୁଡ଼ିକଠାରୁ ପାଦେ ଆଗରେ ରହି ଆସିଛି । ପାଶ୍ଚାତ୍ୟ ସମାଜରେ ଡିଜିଟାଲ ମଞ୍ଚରେ ସ୍ଥାନୀୟ ସାମ୍ୱାଦିକତାର ଗୁରୁତ୍ୱ ବଢୁଥିବା ଏବଂ ଡିଜିଟାଲ ସମ୍ୱାଦ ନିମନ୍ତେ ଗ୍ରାହକ ଚାନ୍ଦା ସଂଗ୍ରହ ବାସ୍ତବକ୍ଷେତ୍ରରେ ସମ୍ଭବପର ହୋଇପାରୁଥିବା ହେତୁ ମୁଦ୍ରଣ ମଞ୍ଚକୁ ବର୍ଣ୍ଣନା, ଅନୁଶୀଳନ ଓ ଅନୁସନ୍ଧାନଧର୍ମୀ ସାମ୍ୱାଦିକତା ନିମନ୍ତେ ଉତ୍ସର୍ଗୀକୃତ ଧାରା ‘ମୁମ୍ୱାଇ ମିରର’ କ୍ଷେତ୍ରରେ ଉପଯୋଗ ହେଉଥିବା ଲକ୍ଷ୍ୟ କରାଯାଏ ।


 

ମୁମ୍ୱାଇ ଦେଶର ବ୍ୟାବସାୟିକ ରାଜଧାନୀ । ଏଠାରେ ‘ଟାଇମ୍ସ ଗୃପ’ ନିଜର ଆଧିପତ୍ୟ ବଜାୟ ରଖିବା ନିମନ୍ତେ ଅବିରତ ଉଦ୍ୟମ କରିଆସିଥିବା ଇତିହାସ ପୃଷ୍ଠାରୁ ସୁସ୍ପଷ୍ଟ । ‘ଦି ଟାଇମ୍ସ ଅଫ ଇଣ୍ଡିଆ’ ଦୀର୍ଘ ଅତୀତରୁ ମହାନଗରବାସୀଙ୍କ ମଧ୍ୟରେ ସର୍ବାଧିକ ପ୍ରସାରିତ ଇଂଲିଶ ସମ୍ୱାଦପତ୍ର ରୂପେ ପ୍ରତିଷ୍ଠିତ ହୋଇପାରିଥିଲେ ହେଁ ପ୍ରତିଯୋଗିତାର ସୂଚନା ମାତ୍ରେ ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ପଛାଇ ନଥାଏ ।


 

ବିଜୟପତ ସିଂହାଣିଆଙ୍କ ‘ଇଣ୍ଡିଆ ପୋଷ୍ଟ’ ୧୯୮୯ରେ ପ୍ରକାଶନ କାଳରେ ‘ଟାଇମ୍ସ ଗୃପ’ ଏକ ନୂତନ ଦୈନିକ ‘ଦି ଇଣ୍ଡିପେଣ୍ଡେଣ୍ଟ’ ଉନ୍ମୋଚନ କରିଥିଲା । ସେହିପରି ଧୀରୁଭାଇ ଆମ୍ୱାନୀଙ୍କ ‘ବିଜନେସ ଏଣ୍ଡ ପଲଟିକାଲ ଅବଜରଭର’ ବିଦେଶର ବାଣିଜ୍ୟ ସମ୍ୱାଦପତ୍ର ଭଳି ଗୋଲାପୀ ନିଉଜପ୍ରିଣ୍ଟରେ ମୁଦ୍ରିତ ହେବା ଗୁଜବ ଶୁଣିବା ପରେ ‘ଦି ଇକନୋମିକ ଟାଇମ୍ସ’କୁ ଗୋଲାପୀ ରଙ୍ଗରେ ସଜାଇଥିଲା । ବର୍ତ୍ତମାନ ଡିଜିଟାଲ ସମ୍ୱାଦ ମଞ୍ଚ ଓ ଅନୁସନ୍ଧାନଧର୍ମୀ ସାମ୍ୱାଦିକତା ‘ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଜମ’ର ଗୁରୁତ୍ୱ ବଢୁଥିବା ଅବସରରେ ସୁଯୋଗକୁ ହାତଛଡ଼ା କରିନାହିଁ । ତେବେ ଏଥିରେ ଆଶାନୁରୂପ ସଫଳତା ନମିଳିଲେ ଯେ ନିଜ ଉଦ୍ୟମ ସଂଶୋଧନ ଅବଶ୍ୟ ଚେଷ୍ଟା କରିବ ସେଥିରେ ମଧ୍ୟ ସନ୍ଦେହ ନାହିଁ ।


 

ଟାଇମ୍ସ ଗୃପର ‘ମୁମ୍ୱାଇ ମିରର’ର ଉଦାହରଣ ଦେଶର ପ୍ରଦେଶିକସ୍ତରରେ ଲୋକପ୍ରିୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକୁ ସଯତ୍ନେ ଆତ୍ମ-ନିରୀକ୍ଷଣ କରିବା ନିମନ୍ତେ ସୁଯୋଗ ସୃଷ୍ଟି କରିଛି । ଜାତୀୟସ୍ତରରେ ଇଂଲିଶ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ଯେଉଁ ପରିସ୍ଥିତି ଉପୁଜିଛି ତାହା ଆଜି ନାହିଁତ କାଲି ଭାରତୀୟ ଭାଷାରେ ପ୍ରକାଶିତ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଅଙ୍ଗେ ନିଭାଇବା ସଂଭବ ।


 

ଏଥିନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ, ଅନ୍ତଃପକ୍ଷେ ସୃଜନ ଓ ସଂପାଦକୀୟ ବିଭାଗକୁ ସମ୍ଭାବ୍ୟ ବିଘଟନର ମୁକାବିଲା ନିମନ୍ତେ ସଜାଡ଼ିବା ବୁଦ୍ଧିମାନ କାର୍ଯ୍ୟ । ‘ହିନ୍ଦୁସ୍ତାନ ଟାଇମ୍ସ’ର ମୁମ୍ୱାଇ ସଂସ୍କରଣ ବନ୍ଦ, ‘ଦି ହିନ୍ଦୁ’ର ମୁମ୍ୱାଇ କାର୍ଯ୍ୟାଳୟର ସାମ୍ୱାଦିକ ଛଟେଇ ସହ ‘ମୁମ୍ୱାଇ ମିରର’ର ପ୍ରାୟ ଶହେ କର୍ମଚାରୀ କାର୍ଯ୍ୟ ହରାଇଲେ । ଏମାନଙ୍କ ମଧ୍ୟରୁ ଡିଜିଟାଲ ମଞ୍ଚ ସାମ୍ୱାଦିକତାର ପରିବର୍ତ୍ତିତ ପରିବେଶରେ ଯେଉଁମାନେ ନିଜକୁ ସାମିଲ କରିପାରିବେ ସେଇମାନେ ହିଁ ନିଯୁକ୍ତି ଆଶା କରିପାରିବେ । ଅତଏବ ‘ମୁମ୍ୱାଇ ମିରର’ ଅଭିଜ୍ଞତା କର୍ମଜୀବୀ ମଧ୍ୟ-ବୟସ୍କ ସାମ୍ୱାଦିକମାନେ ନିଜକୁ ନିଯୁକ୍ତିଯୋଗ୍ୟ ଗଢ଼ିତୋଳିବା ନିମନ୍ତେ ଏକ ଆହ୍ୱାନ ।         


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୧ ଡ଼ିସେମ୍ୱର ୨୦୨୦


ତଥ୍ୟ:


 

‘Mumbai Mirror’ and ‘Pune Mirror’ to stop publication, announces Times Group. Scroll.in / December 5, 2020.


 

https://scroll.in/latest/980387/mumbai-mirror-and-pune-mirror-to-stop-publication-times-group-says-indian-economy-in-recession


 

Bhatia, Sidharth. With the death of Mumbai Mirror, a connection with the city is lost. thewire.in / December 7, 2020.


 

https://thewire.in/media/mumbai-mirror-local-news-india-newspaper-digital-media

କେବଳ ମୁଦ୍ରିତ ସଂସ୍କରଣରେ ‘କଣ୍ଟ୍ରି ହାଇୱେ’ 

ବିଶ୍ୱବ୍ୟାପୀ ପତ୍ରପତ୍ରିକା ପ୍ରକାଶନ କ୍ଷେତ୍ରରେ ଡ଼ିଜିଟାଲ ରୂପାନ୍ତରିକରଣ ବଳବତ୍ତର ରହିଥିବା ଅବସରରେ ୨୦୨୩ ମଧ୍ୟଭାଗରେ ଯୁକ୍ତରାଷ୍ଟ୍ର ଆମେରିକାରେ ‘କଣ୍ଟ୍ରି ହାଇୱେ’ ନାମିତ ଏକ ‘କେବଳ ମୁଦ୍ରିତ ପତ୍ରିକା’ ଆରମ୍ଭ ହୋଇଥିଲା । ଅନ୍ୟ ରାଷ୍ଟ୍ର ତୁଳନାରେ ଆମେରିକାରେ ଡ଼ିଜିଟାଲ ମଞ୍ଚ ପ୍ରସାର ପରେ ସର୍ବାଧିକ ମୁଦ୍ରିତ ସମ୍ୱାଦପତ୍ର ଓ ପତ୍ରପତ୍ରିକା ବନ୍ଦ ହୋଇଯାଇଛି । ଏସୋସିଏଟେଡ଼ ପ୍ରେସ ପ୍ରସାରିତ ସମ୍ୱାଦ ଅନୁଯାୟୀ ୨୦୨୨ରେ ପ୍ରତି ସପ୍ତାହରେ ଆମେରିକାରେ ଦୁଇଗୋଟି ମୁଦ୍ରିତ ସମ୍ୱାଦପତ୍ର ବନ୍ଦ ପ୍ରକ୍ରିୟା ଜାରି ରହିଥିଲା । ପ୍ରାଇସ ୱାଟରହାଉସ କୂପରଙ୍କ ରିପୋର୍ଟରେ ଆମେରିକାରେ ସର୍ବାଧିକ ପ୍ରସାରିତ ୧୦୦ ଗୋଟି ସମ୍ୱାଦପତ୍ର ମଧ୍ୟରୁ ୪୦ଗୋଟି ଡ଼ିଜିଟାଲ ସଂସ୍କରଣ ଉନ୍ନୟନରେ ବ୍ୟାପକ ନିବେଶ କରୁଥିଲେ । ଏହି ପରିବେଶରେ କେବଳ ମୁଦ୍ରିତ ସଂସ୍କରଣରେ ଏକ ପତ୍ରିକା ପରିକଳ୍ପନା ଏକ ଉଲ୍ଲେଖଯୋଗ୍ୟ ଘଟଣା ।

 

‘କଣ୍ଟ୍ରି ହାଇୱେ’ ସମ୍ୱାଦପତ୍ର ଆଙ୍ଗିକରେ ଏକ ପତ୍ରିକା । ଅର୍ଥାତ, ପତ୍ରିକାର ବିଭିନ୍ନ ବିଭବ ଭୂଷିତ ପ୍ରକାଶନଟି ମୁଦ୍ରିତ ସମ୍ୱାଦପତ୍ର ଆକାରରେ ଉପଲବ୍ଧ । ପ୍ରତି ଦୁଇମାସରେ ଥରେ, ବର୍ଷରେ ଛଅ ଗୋଟି ସଂଖ୍ୟା ପ୍ରକାଶିତ । ପତ୍ରିକା ଖଣ୍ଡିକର ମୂଲ୍ୟ ୭୦୦ ଟଙ୍କା । ବାର୍ଷିକ ଗ୍ରାହକମାନଙ୍କୁ ଛଅଗୋଟି ସଂଖ୍ୟା ୪,୦୦୦ ଟଙ୍କା ଓ ତ୍ରୟବାର୍ଷିକ ଗ୍ରାହକମାନଙ୍କୁ ୧୮ ଗୋଟି ସଂଖ୍ୟା ୧୧,୦୦୦ ଟଙ୍କାରେ ପ୍ରକାଶକଙ୍କ ପକ୍ଷରୁ ଗ୍ରାହକଙ୍କ ବାସଗୃହରେ ବିତରଣ ବ୍ୟବସ୍ଥା କରାଯାଇଛି । ‘କଣ୍ଟ୍ରି ହାଇୱେ’ର ଅଳଂକରଣ ଊନବିଂଶ ଶତାଦ୍ଦୀ ମାର୍କିନ ମୁଦ୍ରିତ ସମ୍ୱାଦପତ୍ର ଅନୁକରଣରେ ପ୍ରଯୋଜନା ହୋଇଛି । ତତ୍କାଳୀନ ପତ୍ରିକାଗୁଡ଼ିକରେ ଚାର୍ଲସ ଡିକେନ୍ସଙ୍କ ଭଳି ପ୍ରଖ୍ୟାତ ଲେଖକମାନଙ୍କ ଉପନ୍ୟାସ ଧାରାବାହିକଭାବେ ପ୍ରକାଶ ପାଉଥିଲା । ପତ୍ରିକାଟିର କଳେବର ମୁଦ୍ରିତ ସମ୍ୱାଦପତ୍ରର ବ୍ରଡ଼ସିଟରେ ୨୦ ପୃଷ୍ଠାରେ ସୀମିତ ରହୁଛି ।

 

‘କଣ୍ଟ୍ରି ହାଇୱେ’ରେ ଗଭୀର ଅନୁଶୀଳନାତ୍ମକ ରଚନା ପ୍ରକାଶନ ନିମନ୍ତେ ସମ୍ପାଦକୀୟ ନୀତି ନିର୍ଦ୍ଧାରିତ । ଏକ ପକ୍ଷରେ ଏହି ଭଳି ରଚନାବଳୀ ପ୍ରସ୍ତୁତ ନିମନ୍ତେ ଦୀର୍ଘ ସମୟ ଆବଶ୍ୟକ ପଡୁଥିବା ସ୍ଥଳେ ଅପରପକ୍ଷରେ ପାଠକମାନେ ମଧ୍ୟ ମନୋଯୋଗ ସହକାରେ ଅଧ୍ୟୟନ ସକାଶେ ବହୁ ସମୟ ଉପଯୋଗ କରନ୍ତି । ମାର୍କିନ ସାମାଜିକ ପରିବେଶକେନ୍ଦ୍ରୀକ ପ୍ରକାଶନରେ ଐତିହାସିକ ଓ ସାଂସ୍କୃତିକ ରଚନାବଳୀ ସଙ୍ଗେ ଗଣତାନ୍ତ୍ରିକ ମୂଲ୍ୟବୋଧ, କୃଷି, ପଶୁପାଳନ, ଔଷଧୀୟ ବୃକ୍ଷରାଜି ଇତ୍ୟାଦି ବିଷୟରେ ସ୍ତମ୍ଭ ତଥା ସାହିତ୍ୟ, କଳା ଓ ସଙ୍ଗୀତ ଇତ୍ୟାଦି ସ୍ଥାନ ପାଏ ।

 

ପତ୍ରିକାଟି ପକ୍ଷରୁ ରଚନାର ବିଷୟବିନ୍ୟାସରେ ଲେଖକମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଏ । ପୂର୍ବରୁ ସାପ୍ତାହିକ ‘ଦି ନିଉୟର୍କର’ ଓ ମାସିକ ‘ଆଟଲାଣ୍ଟିକ’ ଭଳି ମାର୍କିନ ପତ୍ରିକାରେ ବିଷୟବସ୍ତୁ ନିର୍ଦ୍ଧାରଣ ନିମନ୍ତେ ଲେଖକଙ୍କ ଉପରେ ନିର୍ଭର କରାଯାଉଥିଲା । କିନ୍ତୁ ସେହି ଦୁଇଗୋଟି ପତ୍ରିକା ସାଂପ୍ରତିକ ଘଟଣାବଳୀକେନ୍ଦ୍ରୀକ ସମ୍ପାଦକୀୟ ଆଭିମୁଖ୍ୟ ଗ୍ରହଣ କରିବା ପରେ ସୃଜନ ପରିସୀମା ସଂକୁଚିତ ହୋଇପଡ଼ିଥିଲା । ‘କଣ୍ଟ୍ରି ହାଇୱେ’ର ସମ୍ପାଦକୀୟ ନୀତି, ଆଙ୍ଗିକ ଓ ପ୍ରସାରଣ ନୀତି ସମସମାୟିକ ଗଣମାଧ୍ୟମ ପ୍ରବାହର ବିରୁଦ୍ଧାଚରଣ କରୁଥିବା ସୁସ୍ପଷ୍ଟ । ପତ୍ରିକାଟିରେ ପ୍ରକାଶିତ କୌଣସି ରଚନା ଇଣ୍ଟରନେଟରେ ଉପଲବ୍ଧ ନହେଉଥିବା ସ୍ଥଳେ ଏଥିରେ ପ୍ରକାଶିତ ରଚ଼ନା ପାଠ କରିବା ନିମନ୍ତେ ପାଠକ ଗ୍ରାହକଶ୍ରେଣୀଭୁକ୍ତ ହେବା ବାଧ୍ୟବାଧକତାରେ ପରିଣତ । ଅବଶ୍ୟ ଦେଶର କେତେକ ପୁସ୍ତକ ଓ ରେକର୍ଡ ଦୋକାନରେ ଖୁଚୁରା ସଂଖ୍ୟା ବିକ୍ରିର ମଧ୍ୟ ବ୍ୟବସ୍ଥା ପ୍ରଚଳିତ ।

 

ଡ଼ୋନାଲଡ଼ ରୋସେନଫିଲଡ଼ ‘କଣ୍ଟ୍ରି ହାଇୱେ’ର ପ୍ରକାଶକ । ସେ ମାର୍ଚ୍ଚେଣ୍ଟ-ଆଇଭୋରୀ ଚଳଚ଼ିତ୍ର ପ୍ରଯୋଜନା କମ୍ପାନୀର ଅଧ୍ୟକ୍ଷ ଭାବେ ୧୯୮୬ରୁ ୧୯୯୮ ଯାଏଁ ୧୨ ବର୍ଷ ଧରି ଅବସ୍ଥାପିତ ଥିଲେ । ମାର୍ଚ୍ଚେଣ୍ଟ-ଆଇଭୋରୀ ପ୍ରାୟ ୫୦ ଖଣ୍ଡ ଚଳଚ଼ିତ୍ର ନିର୍ମାଣ କରିଥିଲେ ଏବଂ ଛଅ ଗୋଟି ଓସ୍କାର ପୁରସ୍କାର ପାଇଥିଲେ । ତାଙ୍କରି ଦ୍ୱାରା ପ୍ରଯୋଜିତ ହାଉସହୋଲଡ଼ର, ସେକ୍ସପିଅରୱାଲା, ବମ୍ୱେ ଟକିଜ, ହିଟ ଏଣ୍ଡ ଡ଼ଷ୍ଟ ଓ ଇନ-କଷ୍ଟୋଡ଼ି ଇତ୍ୟାଦି ଚଳଚ଼ିତ୍ରର କାହାଣୀ ଭାରତୀୟ ପୃଷ୍ଠଭୂମିରେ ଆଧାରିତ । କହିବା ବାହୁଲ୍ୟଯେ ରୋସେନଫିଲଡ଼ଙ୍କ ଆନ୍ତର୍ଜାତିକସ୍ତରରେ କଳା ଓ ସଂସ୍କୃତି ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଦୀର୍ଘ ଦିନର ଅଭିଜ୍ଞତା ରହିଆସିଥିଲା । ବହୁ ଲେଖକ, ବୁଦ୍ଧିଜୀବୀ ଓ ବିଦ୍ୱାନଙ୍କ ସହ ସଂପର୍କ ଏକ ଉଚ୍ଚଧରଣର ପତ୍ରିକା ପ୍ରକାଶନ ନିମନ୍ତେ ନିଶ୍ଚୟ ଖୋରାକ ଯୋଗାଇଛି ।

 

ସଂପ୍ରସାରିତ ଡିଜିଟାଲ ଗଣମାଧ୍ୟମ ପରିବେଶରେ ମାର୍କିନ ଉପଭୋକ୍ତା ଦଶ ଘଣ୍ଟା ଯାଏଁ ଅନଲାଇନରେ ସମୟ ଅତିବାହିତ କରୁଥିବା ଅବସରରେ ଊନବିଂଶ ଶତାଦ୍ଦୀ ସମ୍ୱାଦପତ୍ର ଆଙ୍ଗିକରେ ମୁଦ୍ରିତ ପ୍ରକାଶନ ଆରମ୍ଭ କରିବା ସମୀକ୍ଷକମାନଙ୍କୁ ବିସ୍ମିତ କରିବା ସ୍ୱାଭାବିକ । ‘କଣ୍ଟ୍ରି ହାଇୱେ’ର ସଂପାଦକ ଡ଼େଭିଡ଼ ସାମୁଏଲ୍ସ କହନ୍ତି ଯେ ମୁଦ୍ରିତ ପୃଷ୍ଠା ପଢ଼ିବାର ଅନୁଭୂତି ଡ଼ିଜିଟାଲ ସ୍କ୍ରୀନରେ ପାଇ ହୁଏନାହିଁ । ଗଭୀର ଅଧ୍ୟୟନ ନିମନ୍ତେ ମୁଦ୍ରିତ ପୃଷ୍ଠାର ସୁଯୋଗ ଅନ୍ୟ ମଞ୍ଚରେ ଦୁର୍ଲଭ । ସମାଜରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ପାଠକଗୋଷ୍ଠୀ ମୁଦ୍ରିତ ସମ୍ୱାଦପତ୍ର, ପତ୍ରପତ୍ରିକା ଓ ପୁସ୍ତକ ପ୍ରତି ଋଚି ରଖିଆସିଛନ୍ତି ।

 

‘କଣ୍ଟ୍ରି ହାଇୱେ’ର ପ୍ରଥମ ସଂଖ୍ୟା ଅଗଷ୍ଟ ୨୦୨୩ରେ ପ୍ରକାଶ ପାଇଥିଲା । ଏହି ସଂସ୍କରଣର ୨୫,୦୦୦ ଖଣ୍ଡ ବିକ୍ରୀ ହୋଇଥିବା ସଂପାଦକଙ୍କ ସୂତ୍ରରୁ ଜଣାଯାଏ । ଦ୍ୱିତୀୟ ସଂଖ୍ୟା ଅକ୍ଟୋବର ୨୦୨୩ରେ ପ୍ରକାଶ ପାଇଥିଲା । ଏହି ପତ୍ରିକାଟି ପ୍ରକାଶନର ତିନି ବର୍ଷ ମଧ୍ୟରେ ଯେତିକି ସଂଖ୍ୟକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ତିନି ସପ୍ତାହରେ ପୂରଣ ହୋଇଯାଇଥିବା କୁହାଯାଏ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ପତ୍ରିକାଟି ପ୍ରକାଶନ ଅବସରରେ କୌଣସି ବିଜ୍ଞାପନ ଅଭିଯାନ ଆୟୋଜନ କରାଯାଇନଥିଲା । ଲୋକମୁଖରେ ହିଁ ପ୍ରଚାରିତ ହୋଇଥିଲା ।

 

‘କଣ୍ଟ୍ରି ହାଇୱେ’ ପତ୍ରିକା ପ୍ରକାଶନ ଓ ପ୍ରାଥମିକ ପର୍ଯ୍ୟାୟରେ ବ୍ୟାବସାୟିକ ସଫଳତା ସମକାଳୀନ ଗଣମାଧ୍ୟମ ପରିବେଶରେ ବିକଳ୍ପ ପ୍ରକାଶନ ସୁଯୋଗ ସଂପର୍କରେ କେତେଗୋଟି ଉପଲବ୍ଧି ଅବତାରଣା କରେ । ପ୍ରଥମତଃ, ସୃଜନରେ ଉତ୍କର୍ଷ ଯେକୌଣସି ମଞ୍ଚରେ ପ୍ରକାଶନଲାଗି ସାଫଲ୍ୟ ଆଣିଦିଏ । ଲୋକାଦୃତି ହାସଲ କରିପାରେ । ତେବେ ପ୍ରକାଶନ ଅବଧି ଦୈନିକ, ସାପ୍ତାହିକ ଓ ପାକ୍ଷିକରୁ ମାସିକ, ଦ୍ୱିମାସିକ ବା ତ୍ରୟମାସିକ ସ୍ତରକୁ ସଂପ୍ରସାରିତ ହୋଇପାରେ । ତୃତୀୟତଃ, ଗୁଣାତ୍ମକ ପଠନ ସାମଗ୍ରୀ ପାଇଁ ଉଚ୍ଚ ମୂଲ୍ୟ ଉପଭୋକ୍ତା ଦେବା ଲାଗି ପ୍ରସ୍ତୁତ । ଏକ ୨୦ ପୃଷ୍ଠାର ସମ୍ୱାଦପତ୍ର-ପତ୍ରିକାର ଖଣ୍ଡପିଛା ୭୦୦ ଟଙ୍କା ଦର ଧାର୍ଯ୍ୟ ପ୍ରକୃଷ୍ଟ ଉଦାହରଣ ।

 

ଚ଼ତୁର୍ଥତଃ, ସୋସିଆଲ ମିଡ଼ିଆର କୋଳାହଳରେ ସାଧାରଣ ଉପଭୋକ୍ତା ଉତ୍କର୍ଷ ଖୋଜୁଛନ୍ତି । ସେମାନଙ୍କ ସଂଖ୍ୟା କମ ହୋଇପାରେ ଓ ବିକଳ୍ପ ପ୍ରକାଶନ ବ୍ୟବସାୟ ବଡ଼ ନହୋଇପାରେ । ପଞ୍ଚମତଃ, ବୈଷୟିକ ପ୍ରଗତି ଓ ବୃହତ ନିବେଶ ସୃଜନ ଉତ୍ପାଦକୁ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ଲୋକପ୍ରିୟ କରିବାରେ ପ୍ରତିଶୃତି ଦେଇପାରିବ ନାହିଁ । ସୃଜନରେ ଉତ୍କର୍ଷହିଁ ଜନାଦୃତିର ମୂଳ ସୂତ୍ର । ଯୁକ୍ତରାଷ୍ଟ୍ର ଆମେରିକାର ଗଣମାଧ୍ୟମର ସ୍ଥିତାବସ୍ଥା ଏବଂ ବିକଳ୍ପ ପ୍ରକାଶନଗୁଡ଼ିକର ଲୋକପ୍ରିୟତା ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ ସମଭାବେ ପ୍ରତିଫଳିତ ନହୋଇପାରେ । ତେବେ ସୃଜନ କ୍ଷେତ୍ରରେ ପରୀକ୍ଷାନିରୀକ୍ଷା ପାଇଁ ପ୍ରଶସ୍ତ କ୍ଷେତ୍ର ଯେ ଉନ୍ମୁକ୍ତ କରିପାରିବ ଏଥିରେ ସନ୍ଦେହ ନାହିଁ ।          


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୨


ତଥ୍ୟ :

 

https://www.countyhighway.com/

 

Alberge, Dalya. America’s new print-only newspaper reinvents the art of reading slowly. theguardian.com. October 1, 2023

 

https://www.theguardian.com/media/2023/oct/01/americas-new-print-only-newspaper-county-highway-reinvents-the-art-of-reading-slowly 

ପ୍ରଥମ ପୃଷ୍ଠାରେ ସମ୍ୱାଦ ବିନ୍ୟାସ

ସମ୍ୱାଦ ବିନ୍ୟାସ ‘ନିଉଜ ଡ଼ିସପ୍ଳେ’କୁ ବୁଝାଏ । ଶବ୍ଦକୋଷରେ ‘ବିନ୍ୟାସ’ର ଅର୍ଥ “ସୁଶୃଙ୍ଖଳରୂପେ ସ୍ଥାପନ ବା ରକ୍ଷଣ, ସୁନ୍ଦରଭାବେ ରଚନା ବା ସଜ୍ଜା” । ଗଣମାଧ୍ୟମରେ ବିଭିନ୍ନ ମଞ୍ଚର ସମ୍ୱାଦ ସଂସ୍କରଣଗୁଡ଼ିକ ମୌଳିକଭାବେ ସେଥିରେ ସନ୍ନିବଶିତ ସମ୍ୱାଦ ବିନ୍ୟାସ ଉପରେ ନିର୍ଭରଶୀଳ । ଅର୍ଥାତ, ମୁଦ୍ରିତ ସମ୍ୱାଦପତ୍ରରେ ସମ୍ୱାଦଗୁଡ଼ିକ କିପରି ପୃଷ୍ଠାସମୂହରେ ସ୍ଥାନିତ ହେଉଛି ବା ରେଡ଼ିଓ ଓ ଟେଲିଭିଜନ ବୁଲେଟିନରେ କେଉଁକ୍ରମରେ ସଜ୍ଜିତ ହେଉଛି, ତାହା ସମ୍ୱାଦ ସରବରାହ ତଥା ପାଠକ, ଶ୍ରୋତା ଓ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇଥାଏ ।


 

ବୃହତ ସମ୍ୱାଦ ପ୍ରକାଶନଗୁଡ଼ିକରେ ସମ୍ୱାଦ ସଜ୍ଜାପ୍ରତି ମଧ୍ୟମ ଓ କ୍ଷୁଦ୍ର ସମ୍ୱାଦ ପ୍ରକାଶନଗୁଡ଼ିକ ତୁଳନାରେ ଅପେକ୍ଷାକୃତ ଅଧିକ ଯତ୍ନ ନିଆଯାଇଥାଏ । ବିଭିନ୍ନ ସମ୍ୱାଦ ପ୍ରକାଶକ ନିଜ ସମ୍ୱାଦ ସଂସ୍କରଣଗୁଡିକରେ ସମ୍ୱାଦ ବିନ୍ୟାସ ନୀତି ନିର୍ଦ୍ଧାରଣ ନିମନ୍ତେ ସ୍ଥଳବିଶେଷରେ ବିଶାରଦମାନଙ୍କ ସହଯୋଗ ଲୋଡ଼ିଥାନ୍ତି । ଆନ୍ତର୍ଜାତିକସ୍ତରରେ ଗାର୍ସିଆ ମିଡ଼ିଆ ଏକ ଉଦାହରଣ । ସମ୍ୱାଦ ବିନ୍ୟାସ ସର୍ଜନାତ୍ମକ ଏବଂ ପ୍ରତିଟି ସଂସ୍କରଣରେ ନୂତନତ୍ୱ ପରିପ୍ରକାଶ ନିମନ୍ତେ କ୍ଷେତ୍ର ଉନ୍ମୁକ୍ତ । ଅପରପକ୍ଷେ ଲୋକପ୍ରିୟତା ଓ ପ୍ରସାର ଦୌଡ଼ରେ ପଛୁଆ ରହୁଥିବା ସମ୍ୱାଦ ପ୍ରକାଶନଗୁଡ଼ିକ ସମ୍ୱାଦ ବିନ୍ୟାସ ପ୍ରତି ଉଦାସୀନ । ଅଧିକାଂଶ କ୍ଷେତ୍ରରେ ଅନ୍ୟର ଅନୁସରଣରେ ଦାୟିତ୍ୱ ତୁଲାଇଥାନ୍ତି ।


 

ଡ଼ିଜିଟାଲ କାରିଗରୀ କୌଶଳ ଉପଯୋଗରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ସମ୍ୱାଦ ସଜ୍ଜା ପୃଷ୍ଠା ବିନ୍ୟାସରେ ନୂତନ ଧାରା ସୃଷ୍ଟି କରିଥିଲା । ତେବେ ପ୍ରଥମ ପୃଷ୍ଠାରେ ସମ୍ୱାଦ ବିନ୍ୟାସ ସମ୍ପାଦନା ବିଭାଗର ଚାତୁର୍ଯ୍ୟ ପ୍ରମାଣିତ କରିଥାଏ । ସମ୍ୱାଦପତ୍ରର ପ୍ରଥମ ପୃଷ୍ଠାରେ ସମକାଳୀନ ଘଟଣା ପ୍ରବାହ ସମ୍ୱଳିତ ପ୍ରମୁଖ ସମ୍ୱାଦମାନ ସ୍ଥାନିତ ହୋଇଥାଏ । ସମ୍ୱାଦର ଶୀର୍ଷକ, ଅକ୍ଷର ସଜ୍ଜା ଓ ଅଳଂକରଣ ‘ଇଲାଷ୍ଟ୍ରେସନ’ ପ୍ରକାଶିତ ସମ୍ୱାଦର ପ୍ରମୁଖ ବିଭବ ।


 

ପାରମ୍ପରିକ ଭାବେ ମୁଦ୍ରିତ ସମ୍ୱାଦପତ୍ରର ପ୍ରଥମ ପୃଷ୍ଠାରେ ସଂଖ୍ୟାଧିକ ସମ୍ୱାଦ ସ୍ଥାନିତ କରିବା ନିମନ୍ତେ କେତେକ ସମ୍ୱାଦର ଅବଶିଷ୍ଟାଂଶ ମଧ୍ୟବର୍ତ୍ତୀ ପୃଷ୍ଠାକୁ ସ୍ଥାନାନ୍ତରିତ ହୋଇଥାଏ । ସମକାଳୀନ ଗଣମାଧ୍ୟମ ପରିବେଶରେ ଏହି ପଦ୍ଧତି ଦୋଷାବହ । ପ୍ରଥମତଃ, ଆଧୁନିକ ସମ୍ୱାଦପତ୍ର ପାଠକ କର୍ମବ୍ୟସ୍ତ । ଦୈନନ୍ଦିନଭିତ୍ତିରେ ସମ୍ୱାଦପତ୍ର ପାଠ କରିବା ନିମନ୍ତେ ସଂଖ୍ୟାଧିକ ଉପଭୋକ୍ତା ପନ୍ଦରରୁ ତିରିଶି ମିନଟ ବିନିଯୋଗ କରିପାରନ୍ତି । ସୀମିତ ସମୟ ସୀମାରେ ପ୍ରମୁଖ ସମ୍ୱାଦ ପାଠ କାଳରେ ପ୍ରଥମ ପୃଷ୍ଠାରୁ ଅବଶିଷ୍ଟାଂଶ ପାଠ କରିବା ନିମନ୍ତେ ମଧ୍ୟବର୍ତ୍ତୀ ପୃଷ୍ଠାକୁ ବାରମ୍ୱାର ଓଲଟାଇବା ଏବଂ ଖୋଜିବାହାର କରିବା ଧୈର୍ଯ୍ୟ ଓ ସମୟ ଆବଶ୍ୟକ କରେ । ଏହି କାରଣରୁ କେତେକ ଅନୁଧ୍ୟାନରେ ଏକ ତୃତୀୟାଂଶ ପାଠକ ପ୍ରଥମ ପୃଷ୍ଠାର ଅବଶିଷ୍ଟାଂଶ ପାଠ କରୁନଥିବା ପ୍ରମାଣିତ ।


 

ଦ୍ୱିତୀୟତଃ, ସମ୍ୱାଦପତ୍ରର ପ୍ରଥମ ପୃଷ୍ଠାରେ ସଂଖ୍ୟାଧିକ ସମ୍ୱାଦ ପ୍ରକାଶନ ଏବଂ ସେଗୁଡ଼ିକର ଅବଶିଷ୍ଟାଂଶ ମଧ୍ୟବର୍ତ୍ତୀ ପୃଷ୍ଠାକୁ ସ୍ଥାନାନ୍ତର ଅବସରରେ ସମ୍ୱାଦ ସଂପର୍କୀତ ଆଲୋକଚ଼ିତ୍ର, ରେଖାଚ଼ିତ୍ର ବା ନକ୍ସା କେଉଁ ପୃଷ୍ଠାରେ ସ୍ଥାନିତ କରାଯିବ ତାହା ସମସ୍ୟା ସୃଷ୍ଟିକରେ । ସ୍ଥାନାନ୍ତରିତ ସମ୍ୱାଦର ଦୀର୍ଘ ଅଂଶ ଅଭାବରେ ମଧ୍ୟବର୍ତ୍ତୀ ପୃଷ୍ଠାରେ ଏହିସବୁ ବିଭବ ସଂଯୋଜନା ସମ୍ଭବ ହୋଇପାରେ ନାହିଁ । ଫଳରେ ପ୍ରକାଶିତ ସମ୍ୱାଦର ଗୁରୁତ୍ୱ ହ୍ରାସ ପାଏ ।


 

ତୃତୀୟତଃ, ଯେକୌଣସି କାରଣରୁ ପାଠକ ରଚ଼ିତ ସମ୍ୱାଦର ପୂର୍ଣ୍ଣ ଅବୟବ ପାଠ କରିବା ସୁଯୋଗ ପାଇନପାରିଲେ ପାଠକୀୟ ସନ୍ତୁଷ୍ଟି ପ୍ରତିହତ ହୁଏ । ସମକାଳରେ ପ୍ରତିଯୋଗୀ ସମ୍ୱାଦ ମଞ୍ଚ ଟେଲିଭିଜନ, ରେଡ଼ିଓ ଓ ୱେବ ସାମ୍ୱାଦିକତାରେ ପ୍ରସ୍ତୁତ ସମ୍ୱାଦ ଦେଖିବା, ଶୁଣିବା ବା ପଢ଼ିବାରେ କୌଣସି ପ୍ରତିବନ୍ଧକ ନଥିବା ହେତୁ ମୁଦ୍ରିତ ସମ୍ୱାଦପତ୍ରର ପାରମ୍ପରିକ ଅଭ୍ୟାସ ରୁଚ଼ିକର ହୋଇନଥାଏ ।


 

ଚ଼ତୁର୍ଥତଃ, ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ପାଠକ ବହୁମୁଖୀ ସମ୍ୱାଦମଞ୍ଚ ଓ ସୋସିଆଲ ମିଡ଼ିଆରେ ଦୈନିକ ଚାରିରୁ ଛଅ ଘଣ୍ଟାଯାଏଁ ସଂଯୁକ୍ତ ରହୁଥିବା ହେତୁ ଘଟଣା ପ୍ରବାହ ସଂପର୍କରେ ବେଶ ଅବଗତ ବୋଲି ବିଚାର କରାଯାଏ । ତେଣୁ ସମ୍ୱାଦପତ୍ରର ପ୍ରଥମ ପୃଷ୍ଠାରେ କୌଣସି ସମ୍ୱାଦ ସ୍ଥାନିତ ହେଲେ ଯାଇ ଯେ ସମ୍ୱାଦଟି ଜାଣିବା ଓ ପଢ଼ିବା ପାଇଁ ଆଗ୍ରାହାନ୍ୱିତ ହେବ ବୋଲି ଭାବିବା ଭୂଲ । ଅପରପକ୍ଷେ ଘଟଣା ଘଟିବାର ଦୀର୍ଘକାଳ ଅନ୍ତେ ଯଦି ପାଠକ ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରେ ପହଞ୍ଚୁଛି, ତେବେ ସେ ଘଟଣା ସଂପର୍କରେ ଅନ୍ୟାନ୍ୟ ମଞ୍ଚରେ ପାଇପାରିନଥିବା ବିଷୟ ଜାଣିବା ନିମନ୍ତେ ଆଗ୍ରହୀ ବୋଲି ଧରିନେବାକୁ ହେବ ।


 

ପଞ୍ଚମତଃ, ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶିତ ସମ୍ୱାଦରେ ଘଟଣାର ବିସ୍ତୃତ ବର୍ଣ୍ଣନା, ସମୀକ୍ଷା ଓ ଅଭିମତ ସମ୍ମିଳିତ ହେଲେ ସ୍ୱାଭାବିକଭାବେ ସମ୍ୱାଦର କଳେବର ବୃଦ୍ଧି ପାଇବ ଏବଂ ପ୍ରତ୍ୟେକ ସଂସ୍କରଣରେ ତଦ୍ ଅନୁଯାୟୀ ପ୍ରକାଶିତ ସମ୍ୱାଦ ସଂଖ୍ୟା ହ୍ରାସ ପାଇବ । ଅତଏବ ପ୍ରଥମ ପୃଷ୍ଠାରେ ମାତ୍ର ଦୁଇତିନିଗୋଟି ସମ୍ୱାଦ ପ୍ରକାଶନର ଯୁଗ ପହଞ୍ଚି ସାରିଛି ବୋଲି ବିଚାର କରିବାକୁ ହେବ ।


 

ମୁଦ୍ରିତ ସମ୍ୱାଦପତ୍ର ପ୍ରଥମ ପୃଷ୍ଠାରୁ ମଧ୍ୟବର୍ତ୍ତୀ ପୃଷ୍ଠାକୁ ଅବଶିଷ୍ଟାଂଶ ସ୍ଥାନାନ୍ତର ପ୍ରକ୍ରିୟାର ଅନ୍ତ ନିମନ୍ତେ କେତେକ ପଦକ୍ଷେପ ଗ୍ରହଣ କରାଯାଇପାରେ । ପ୍ରଥମ ପୃଷ୍ଠାରେ ପ୍ରଥମ ମୁଖ୍ୟ, ଦ୍ୱିତୀୟ ଓ ତୃତୀୟ ଇତ୍ୟାଦି ସମ୍ୱାଦ ପ୍ରକାଶନ ନିମନ୍ତେ ଆନୁମାନିକ ସ୍ୱତନ୍ତ୍ର ସ୍ଥାନ ‘ନିଉଜ ହୋଲ’ ସୃଷ୍ଟି କରି ସେଥିରେ ଖାପ ଖାଇଲା ଭଳି ଦୈଘ୍ୟର ସମ୍ୱାଦ ରଚନା ଓ ସମ୍ପାଦନା ସର୍ବାପେକ୍ଷା ଫଳପ୍ରଦ । ସମ୍ୱାଦ ସହ ଆଲୋକ ଚ଼ିତ୍ର, ରେଖା ଚିତ୍ର ବା ନକ୍ସା ଇତ୍ୟାଦିର ପ୍ରକାଶନ ଆୟତନକୁ ମଧ୍ୟ ଏଥି ସହ ଗଣିତ କରାଯିବା ବାଞ୍ଛନୀୟ । ଯଦି କୌଣସି ମୁଖ୍ୟ ସମ୍ୱାଦର ଅତିରିକ୍ତ ପ୍ରକାଶଯୋଗ୍ୟ ଉପାଦନ ରହିଯାଏ, ତେବେ ସେଗୁଡ଼ିକ ସ୍ୱତନ୍ତ୍ର ସମ୍ୱାଦ ଆକାରରେ ମଧ୍ୟବର୍ତ୍ତୀ ପୃଷ୍ଠାମାନଙ୍କରେ ସ୍ଥାନିତ କରାଯାଇପାରେ । ଏ ସଂପର୍କୀତ ସୂଚନା ମୁଖ୍ୟ ସମ୍ୱାଦର ଶେଷରେ ଉଲ୍ଲେଖ କଲେ ପାଠକ ଅବଗତ ହେବେ ।


 

ମଧ୍ୟବର୍ତ୍ତୀ ପୃଷ୍ଠାମାନଙ୍କରେ ସ୍ଥାନିତ ସମ୍ୱାଦଗୁଡ଼ିକର ସଂକ୍ଷିପ୍ତ ସାର ପ୍ରଥମ ପୃଷ୍ଠାର ପ୍ରଥମ କଲମରେ କେତେକ ସମ୍ୱାଦପତ୍ର ପ୍ରକାଶ କରିଥାନ୍ତି । ଏହା ଏକ ଉତ୍ତମ ଅଭ୍ୟାସ । ସମ୍ୱାଦର ପ୍ରକାର ଭେଦରୁ ପାଠକ ନିଜ ରୁଚି ଅନୁଯାୟୀ ସମ୍ୱାଦ ନିର୍ବାଚିତ କରିଥାଏ । ପ୍ରଥମ ପୃଷ୍ଠାରେ ପ୍ରକାଶିତ ସମସ୍ତ ସମ୍ୱାଦ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ବୋଲି ଭାବିବା ଭୂଲ । କେତକ ଅଧ୍ୟୟନରେ ବହୁ ସଂଖ୍ୟକ ପାଠକ ସମ୍ୱାଦପତ୍ରକୁ ଶେଷ ପୃଷ୍ଠାରେ କ୍ରୀଡ଼ା ସମ୍ୱାଦ କିମ୍ୱା ମଧ୍ୟବର୍ତ୍ତୀ ଆଞ୍ଚଳିକ ସମ୍ୱାଦ ପୃଷ୍ଠାରୁ ପଠନ ଆରମ୍ଭ କରୁଥିବା ଉଦାହରଣର ଅଭାବ ନଥାଏ ।


 

ସ୍ମାର୍ଟଫୋନ ପ୍ରଚଳନ ଓ ସୋସିଆଲ ମିଡ଼ିଆର ଲୋକପ୍ରିୟତା ବୃଦ୍ଧି ପରବର୍ତ୍ତୀ ପର୍ଯ୍ୟାୟରେ ପାରମ୍ପରିକ ମଞ୍ଚଗୁଡ଼ିକରେ ସମ୍ୱାଦ ଉପଭୋକ୍ତାମାନଙ୍କ ସମ୍ୱାଦ ନିର୍ବାଚନ ଅଭ୍ୟାସରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ । କ୍ରମଶଃ ପ୍ରତ୍ୟେକ ସମ୍ୱାଦ ମଞ୍ଚ ଉପଭୋକ୍ତାଙ୍କ ସମ୍ୱାଦ ଆହରଣର ଋଚି ଚରିତାର୍ଥରେ ପରିପୂରକ ଦାୟିତ୍ୱ ନିର୍ବାହ କରୁଥିବା ସୁସ୍ପଷ୍ଟ । ସୋସିଆଲ ମିଡ଼ିଆରେ ପରିବାର, ବନ୍ଧୁବର୍ଗ ଓ ଗଭୀର ଆଞ୍ଚଳିକ ‘ହାଇପର ଲୋକାଲ’ ସଂପର୍କୀତ ସମ୍ୱାଦ ପାଇସାରିବା ପରେ ଉପଭୋକ୍ତା ଟେଲିଭିଜନ ମୁହାଁ ହୋଇଥାଏ । ମୁଦ୍ରିତ ସମ୍ୱାଦପତ୍ର ବିଶ୍ୱସନୀୟ ପର୍ଯ୍ୟାୟଭୁକ୍ତ ହୋଇ ସଠିକ, ବିସ୍ତୃତ ଓ ଅଭିମତ ମଞ୍ଚର ମାନ୍ୟତା ପାଇଥାଏ । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ସମ୍ୱାଦପତ୍ରରେ କାମଳ ସାମ୍ୱାଦିକତା ‘ୟେଲୋ ଜର୍ଣ୍ଣାଲିଜମ’ର ଯୁଗ ଶେଷ ହୋଇସାରିଛି ବୋଲି ବିଚାର କରିବାକୁ ହେବ । କାରଣ ଗୁଜବ ଓ ଚାଞ୍ଚଲ୍ୟ ପ୍ରସାରରେ ସୋସିଆଲ ମିଡ଼ିଆ ସମ୍ମୁଖରେ ମୁଦ୍ରିତ ସମ୍ୱାଦପତ୍ରର ସାମର୍ଥ୍ୟ ଅତ୍ୟନ୍ତ ଦୁର୍ବଳ ।


 

ମହାମାରୀ କାଳରେ ବିଜ୍ଞାପନ ଓ ଗ୍ରାହକ ଚାନ୍ଦା ଆୟ ହ୍ରାସ ସାଙ୍ଗକୁ ମୁଦ୍ରିତ ସମ୍ୱାଦପତ୍ର ପ୍ରସ୍ତୁତି କ୍ଷେତ୍ରରେ ବ୍ୟୟ ବୃଦ୍ଧି କାରଣରୁ ଦୈନିକ ସଂସ୍କରଣର ପୃଷ୍ଠା ସଂଖ୍ୟା ୨୫ ରୁ ୪୦ ପ୍ରତିଶତ ଯାଏଁ କାଟଛାଟ କରାଯାଉଥିବା ସ୍ଥଳେ ନୂତନ ଅବୟବକୁ ବିଚାରକୁ ନେଇ ସମ୍ୱାଦ ବିନ୍ୟାସର ନୀତି ପରିବର୍ତ୍ତିତ କରିବା ସମୟ ଉପନୀତ । କମ ପୃଷ୍ଠାରେ ଅଧିକ ସମ୍ୱାଦ ବଦଳରେ କମ ପୃଷ୍ଠାରେ ନିର୍ବାଚିତ ସମ୍ୱାଦର ବିସ୍ତୃତ ବର୍ଣ୍ଣନା ଗ୍ରହଣଯୋଗ୍ୟ ମନେହୁଏ । ଏଦିଗରେ ସମ୍ପାଦନା ବିଭାଗର ଦୃଷ୍ଟିକୋଣ ପରିବର୍ତ୍ତନ ସମୟର ଆହ୍ୱାନ । ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରୁ ମୁଖ୍ୟ ସମ୍ୱାଦଗୁଡ଼ିକ ପ୍ରଥମ ଥର ନିମନ୍ତେ ଜ୍ଞାତ ହେବା ସୁଯୋଗ ଟେଲିଭିଜନ ଓ ସୋସିଆଲ ମିଡ଼ିଆ ଅପହରଣ କରିନେଇଥିବା ହେତୁ ସମ୍ୱାଦପତ୍ରରେ ସମ୍ୱାଦର ମୁଖ୍ୟାଂଶ ପୁନଃଉଚ୍ଚାରଣ ବଦଳରେ ସମ୍ୱାଦର ଗଭୀରତମ ପ୍ରଦେଶରେ ବିଚରଣ କଲେଯାଇ ପାଠକୀୟ ସ୍ୱୀକୃତି ହାସଲ ସମ୍ଭବ ।          


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୧ ମେ ୨୦୨୧


ତଥ୍ୟ:

 


https://www.w3.org/people/howcome/TEB/www/hwl_th_11.html

ଅଭିମତ ପୃଷ୍ଠାରେ ଅଣ-ପାରମ୍ପରିକ ରଚନା

ମୁଦ୍ରିତ ସମ୍ୱାଦପତ୍ର ଅଭିମତ ପୃଷ୍ଠାରେ ଅଣପାରମ୍ପରିକ ରଚନାବଳୀ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା ସ୍ୱାଭାବିକ । ଅଭିମତ ପୃଷ୍ଠା ‘ଓପ-ଏଡ଼ ବା ଓପଜିଟ ଏଡ଼ିଟୋରିଆଲ ପେଜ’ଗୁଡ଼ିକରେ ସାଧାରଣତଃ ସମସାମୟିକ ଘଟଣାକ୍ରମ, ରାଜନୀତିକ, ଅର୍ଥନୀତିକ ବା ସାମାଜିକ ସମସ୍ୟାବଳୀ ତଥା ସାର୍ବଜନୀନ ଅଭାବ ଅଭିଯୋଗ ସଂପର୍କରେ ଚର୍ଚ୍ଚା କରାଯାଇଥାଏ । ଅକସ୍ମାତ ମାନବୀୟ ଅନୁଭୂତି ‘ହ୍ୟୁମାନ ଇଣ୍ଟରେଷ୍ଟ’ ସମ୍ୱଳିତ ରଚନା ପ୍ରକାଶିତ ହେଲେ ସେଗୁଡ଼ିକ ସହଜରେ ବାରି ହୋଇଯାଏ ।


 

ବ୍ରିଟେନର ‘ଦି ଗାର୍ଡିଅନ’ ସମ୍ୱାଦପତ୍ରରେ ମହାମାରୀକାଳରେ ଇଲିଅଟ ଡ଼ାଲେନ ନାମକ ଜଣେ ୩୧ ବର୍ଷ ଯୁବକଙ୍କ କର୍କଟ ରୋଗ ଅନୁଭୂତି ବର୍ଣ୍ଣନାତ୍ମକ ଦୁଇଗୋଟି ରଚନା ପ୍ରକାଶିତ ହୋଇଥିଲା । ମହାମାରୀରେ ଭୂତାଣୁ ସଂକ୍ରମଣ, ଚିକିତ୍ସା ଓ ରୋଗ ପ୍ରତିରୋଧ ବ୍ୟବସ୍ଥା ସଂପର୍କରେ ଅନବରତ ସମ୍ୱାଦ ଚର୍ଚ୍ଚାର ପରିସରରେ ଜଣେ ସାଧାରଣ ନାଗରିକଙ୍କ ଦୁରାରୋଗରେ ପୀଡ଼ିତ ହେବାପରେ ମୃତ୍ୟୁପୂର୍ବ ଅଭିଜ୍ଞତା ପାଠକବର୍ଗଙ୍କୁ ବେଶ ପ୍ରଭାବିତ କରିଥିବା ପ୍ରକାଶ ।


 

ଏଲେନଙ୍କ ପ୍ରଥମ ରଚନାଟି ୨ ଏପ୍ରିଲ ୨୦୨୦ରେ ପ୍ରକାଶିତ ହୋଇଥିଲା । ସେ ମୂଳତଃ କାର୍ଡିଫ ନାମକ ଗ୍ରାମାଞ୍ଚଳର ବାସିନ୍ଦା ଏବଂ ଲଣ୍ଡନରେ ଶିକ୍ଷାର୍ଜନପରେ ଚାର୍ଟଡ଼ ଏକାଉଣ୍ଟେଣ୍ଟ ଭାବେ ନିଯୁକ୍ତ ଥିଲେ । ଜଣେ ସାଧାରଣ ବ୍ରିଟିଶ ଯୁବକ ଭାବେ ହସଖୁସୀରେ ଜୀବନ କଟୁଥିଲା । ଅକସ୍ମାତ ସେ କର୍କଟ ରୋଗାକ୍ରାନ୍ତ ବୋଲି ନିଦାନ ହେବା ପରେ କିମୋଥେରାପି ଚ଼ିକିତ୍ସା ଆରମ୍ଭ କରାଯାଇ ଥିଲା । କିଛି ଦିନ ସେ ବେଶ ସ୍ୱାଭାବିକଭାବେ ଜୀବନ ବିତାଇଥିଲେ । ତେବେ ୨୦୨୦ ମାର୍ଚ୍ଚରେ ‘କୋଭିଡ଼-୧୯’ ମହାମାରୀ ହେତୁ ଲକଡ଼ାଉନ ପୂର୍ବରୁ ଅଲଟ୍ରାସାଉଣ୍ଡ ପରୀକ୍ଷାରୁ ଜଣାଗଲା ଯେ କର୍କଟ ସଂକ୍ରମଣ ମୂତ୍ରାଶୟଠାରୁ ଫୁସଫସ ଯାଏଁ ବ୍ୟାପି ଯାଇଛି ।


 

ଏଲେନଙ୍କ ଚ଼ିକିତ୍ସକ ସ୍ପଷ୍ଟଭାବେ ଜଣାଇଦେଲେ ଯେ ତାଙ୍କରି ଶରୀରରେ କର୍କଟ ସଂକ୍ରମଣକୁ ପ୍ରଚଳିତ ଚ଼ିକିତ୍ସା ପଦ୍ଧତି କିମୋଥେରାପି ରୋକିପାରୁ ନାହିଁ ଏବଂ ଅଧିକ କିଛି ଚ଼ିକିତ୍ସା କରିବା ସଂଭବପର ନୁହଁ । ଅପରପକ୍ଷେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଚ଼ିକିତ୍ସାଳୟଗୁଡ଼ିକରେ ରୋଗୀଙ୍କ ଭିଡ଼ ଲାଗିଥିବା ହେତୁ ତାଙ୍କରି କର୍କଟରୋଗ ଚ଼ିକିତ୍ସାଲାଗି ଅଧିକ ସମୟ ଦେବା ହୁଏତ ସଂଭବପର ହୋଇ ନପାରେ । ଲେଖକ କିମ୍ୱା ସାମ୍ୱାଦିକ ଭାବେ ଏଲେନଙ୍କ କୌଣସି ଅଭିଜ୍ଞତା ନଥିଲା । ତେବେ ତାଙ୍କରି ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପରିବାର ଓ ବନ୍ଧୁବର୍ଗଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ନିଜର ଅଭିଜ୍ଞତା ଲିପିବଦ୍ଧ କରିବା ଆରମ୍ଭ କରିଦେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ସେଗୁଡ଼ିକ ସଜାଇ ଲଘୁ ନିବନ୍ଧ ‘ଫିଚର’ ଆକାରରେ ‘ଦି ଗାର୍ଡ଼ିଅନ’ ସମ୍ୱାଦପତ୍ରରେ ପ୍ରକାଶନ ନିମନ୍ତେ ପ୍ରେରଣ କରିଥିଲେ ।


 

ଏଲେନଙ୍କ କର୍କଟରୋଗାକ୍ରାନ୍ତ ଅଭିଜ୍ଞତା ସମ୍ୱାଦପତ୍ର ପୃଷ୍ଠାରେ ପ୍ରକାଶିତ ହେବାପରେ ପାଠକ ମହଲରେ ଉତ୍କଣ୍ଠା ସୃଷ୍ଟି ହୋଇଥିଲା । ବିଶେଷକରି ଅନଲାଇନ ସଂସ୍କରଣରେ ରଚନାଟି ସଂପର୍କରେ ବହୁ ପାଠକପାଠିକା ମନ୍ତବ୍ୟ ‘କମେଣ୍ଟ’ ପୋଷ୍ଟ କରିଥିଲେ । ଏଥିରେ ଉତ୍ସାହିତ ହୋଇ ପାଞ୍ଚମାସ ପରେ ଦ୍ୱିତୀୟ ରଚନା ପ୍ରସ୍ତୁତ କରି ସମ୍ୱାଦପତ୍ରଠାରେ ପହୁଞ୍ଚାଇଥିଲେ । ତେବେ ଦ୍ୱିତୀୟ ରଚ଼ନାଟି ୯ ସେପ୍ଟେମ୍ୱର ୨୦୨୦ରେ ପ୍ରକାଶିତ ହେବା ଦିନ ପ୍ରଭାତରେ ଏଲେନଙ୍କ ପରଲୋକ ଘଟିଥିଲା । ସମ୍ୱାଦପତ୍ର ଇତିହାସରେ ଏହା ଏକ ଦୁଃଖଦ ଘଟଣା ରୂପେ ଲିପିବଦ୍ଧ ହୋଇ ରହିବ ।


 

ଏଲେନ ପ୍ରଥମ ରଚନାଟିରେ ଉଲ୍ଲେଖ କରିଥିଲେ ଯେ ମହାମାରୀଜନିତ ଲକଡ଼ାଉନ ପୂର୍ବାବସ୍ଥାରେ ତାଙ୍କରି ଶରୀରରେ କର୍କଟ ରୋଗ ସଂକ୍ରମଣ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଥିବା ହେତୁ ଲକଡ଼ାଉନ ପରବର୍ତ୍ତୀ ଅବସ୍ଥା ଦେଖିବା ସୌଭାଗ୍ୟ ତାଙ୍କରି ନାହିଁ । ଅର୍ଥାତ ଲକଡ଼ାଉନ ଅବଧିରେ ହିଁ ତାଙ୍କରି ମୃତ୍ୟୁ ଘଟିବ । ପ୍ରକୃତରେ ତାହାହିଁ ହେଲା । ସେ ଲେଖିଥିଲେ ଯେ ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ପ୍ରତିଟି ପ୍ରଭାତରେ ସେହି ଦିନଟି କିପରି କଟିବ ତାହାର ଯୋଜନା କରୁଥିଲେ । ବନ୍ଧୁବର୍ଗଙ୍କ ମଧ୍ୟରେ କଥୋପକଥନରେ ଜୀବନର ବାକୀତକ ସମୟ ଅତିବାହିତ କରିବାକୁ ଚାହୁଁଥିଲେ । ସେ ଭାବୁଥିଲେ ତାଙ୍କରି ଛୋଟିଆ ଜୀବନର କୌଣସିଟି ଘଟଣା ଅକୁହା ନରହିଯାଉ ।


 

ଦ୍ୱିତୀୟ ରଚନାଟିରେ ସେ ଲେଖିଥିଲେ ଯେ ଜୀବନର କେତେଗୁଡିଏ ଘଟଣା ସଂପର୍କରେ ଗଭୀର ବିଚାର କରିବା ନିମନ୍ତେ ସୁଯୋଗ ସୃଷ୍ଟି ହୋଇଥିଲା । ତାଙ୍କରି ଉପଲବ୍ଧିଗୁଡ଼ିକ ସେ ସାର୍ବଜନୀନ କରିବାକୁ ଚାହିଁଥିଲେ । ହୁଏତ ଏହି ଅଭିଳାଷ ହେତୁ ନିଜ ମୃତ୍ୟୁପୂର୍ବ ଅନୁଭୂତି ବର୍ଣ୍ଣନା କରି ଦୁଇଗୋଟି ରଚ଼ନା ସମ୍ୱାଦପତ୍ରରେ ପ୍ରକାଶନ ନିମନ୍ତେ ପ୍ରେରଣ କରିଥିଲେ । ତେବେ ସାମ୍ୱାଦିକତା ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଯେ ‘ଦି ଗାର୍ଡିଅନ’ର ସଂପାଦକମାନେ ସମ୍ୱାଦପତ୍ର କାର୍ଯ୍ୟାଳୟରେ ପହଞ୍ଚୁଥିବା ଅଣନିମନ୍ତ୍ରିତ ରଚ଼ନାଗୁଡ଼ିକ ମଧ୍ୟରୁ ଏହାକୁ ଠାବ କରିଥିଲେ ଏବଂ ସମ୍ପାଦନାକରି ପ୍ରକାଶନ ବ୍ୟବସ୍ଥା କରିଥିଲେ । ଫଳତଃ ଏକ ବିକଳ୍ପ ପାଠକୀୟ ଅନୁଭୂତି ସଂଭବ ହୋଇପାରିଥିଲା ।


 

ଏଲେନଙ୍କ ରଚନାଦ୍ୱୟ ମର୍ମସ୍ପର୍ଶୀ । ସେ ଲେଖିଥିଲେ ଯେ ମହାମାରୀ ତଥା କର୍କଟରୋଗର ଶେଷ ପର୍ଯ୍ୟାୟ ସଂକ୍ରମଣ ନିଦାନ ପୂର୍ବରୁ ଦକ୍ଷିଣ ଆମେରିକାର କଲମ୍ୱିଆ ପର୍ଯ୍ୟଟନରେ ଯାଇଥିଲେ । ସେଠାରେ ବିଶ୍ୱର ବିଭିନ୍ନ ପ୍ରାନ୍ତର ପର୍ଯ୍ୟଟକଙ୍କ ସହ ସାକ୍ଷାତ ସୁଯୋଗ ସୃଷ୍ଟି ହୋଇଥିଲା । ଗ୍ରୀଷ୍ମ ଋତୁର କୋଳାହଳମୟ ପ୍ରାକୃତିକ ପରିବେଶରେ ନାଚ଼ଗୀତରେ ମସଗୁଲ ହୋଇ ସମୟ କଟିଥିଲା । ତେବେ କରୋନା ଭୂତାଣୁର କଳାମେଘ ଘୋଟି ଆସିବାର ପ୍ରାକ୍ ସୂଚନା ମିଳି ସାରିଥିଲା । ସେ ଘରେ ପହଞ୍ଚିବା ପରେ ଲକଡ଼ାଉନ ସାଙ୍ଗକୁ ବ୍ୟକ୍ତିଗତ ଜୀବନଯାତ୍ରାରେ ପୂର୍ଣ୍ଣଛେଦ ସମ୍ଭାବନା ମାନସିକସ୍ତରରେ ଭରାକ୍ରାନ୍ତ କରିପକାଇଥିଲା ।


 

ଲଣ୍ଡନରେ ନିଜ ଭଉଣୀଙ୍କ ସହ ଏଲେନ ଏକ ଫ୍ଲାଟରେ ରହୁଥିଲେ । ମହାମାରୀର ପ୍ରାକକାଳରେ ଭଉଣୀ ନ୍ୟାସନାଲ ହେଲଥ ସର୍ଭିସେସ ‘ଏନଏଚଏସ’ରେ ସ୍ୱେଚ୍ଛାସେବୀଭାବେ ଯୋଗଦେବା ଅବସରରେ ଭାଇକୁ ସଂକ୍ରମଣରୁ ଦୂରେଇ ରଖିବା ନିମନ୍ତେ ଅନ୍ୟତ୍ର ବାନ୍ଧବୀଙ୍କ ସହ ବସବାସ କରିବାକୁ ଲାଗିଲେ । ଅପରପକ୍ଷେ ମହାମାରୀ ହେତୁ ଅନ୍ୟ ବନ୍ଧୁବର୍ଗ ମଧ୍ୟ ଗୃହାବଦ୍ଧ ଜୀବନଯାପନ କରୁଥିବା ହେତୁ ଏଲେନ ଏକାକୀ ଭିଡ଼ିଓ କଲ, ଗୀତ ଶୁଣା ଓ ଚଳଚ଼ିତ୍ର ଦେଖାରେ ସମୟ ଅତିବାହିତ କରିବାକୁ ବାଧ୍ୟ ହେଉଥିଲେ ।


 

କର୍କଟ କବଳରୁ ମୁକ୍ତି ନଥିବା ଜାଣିବା ପରେ ଏଲେନ ଜୀବନର ଶେଷ କିଛି ଦିନ ପରିବାରବର୍ଗ ଓ ବନ୍ଧୁମହଲ ଗହଣରେ କାଟିବାକୁ ଚାହିଁଥିଲେ । ଲଣ୍ଡନର ପ୍ରିୟ ରେଷ୍ଟୁରାଣ୍ଟଗୁଡ଼ିକରେ ମନପସନ୍ଦ ବ୍ୟଞ୍ଜନ ଭୋଜନ ଓ ପାର୍କରେ ଅଳସ ମଧ୍ୟାହ୍ନ କାଟିବାର ଯୋଜନା କରିଥିଲେ । କିନ୍ତୁ ମହାମାରୀ ପରିବେଶରେ ଏଭଳି ସ୍ୱପ୍ନ ସବୁ ସ୍ୱପ୍ନରେ ହିଁ ରହିଗଲା । ସେ ଲେଖିଥିଲେ ମହାମାରୀର ଅନ୍ଧାର ସୁଡ଼ଙ୍ଗର ଶେଷରେ ସଭିଏଁ ଆଲୋକର ଅପେକ୍ଷାରେ ଅଛନ୍ତି, କିନ୍ତୁ ତାଙ୍କ ପାଇଁ ଅନ୍ଧାର ହିଁ ଅନ୍ଧାର ।


 

କୌଣସି ସମ୍ୱାଦପତ୍ରର ଇତିହାସରେ ଦୁଇଗୋଟି ଲଘୁ ନିବନ୍ଧ ପ୍ରକାଶନ ଗୁରୁତ୍ୱ ବହନ କରେନା । ତେବେ ଏହି କ୍ଷେତ୍ରରେ ପାଠକୀୟ ସ୍ୱୀକୃତି ସାଙ୍ଗକୁ ଉତ୍କର୍ଷ ସାମ୍ୱାଦିକତା ପରିପ୍ରକାଶରେ ‘ଦି ଗାର୍ଡିଅନ’ ସଂପାଦକୀୟ ବିଭାଗର ଯତ୍ନ ସାମ୍ୱାଦିକତା ପୃଷ୍ଠଭୂମିରେ ଉଚ୍ଚ ମୂଲ୍ୟବୋଧର ଉପଯୋଗର ଏକ ଉଦାହରଣ ସୃଷ୍ଟି କରିବାରେ ସମର୍ଥ ହୋଇପାରିଛି । ବିଭିନ୍ନ କାରଣରୁ ମହାମାରୀରେ ମୁଦ୍ରିତ ସମ୍ୱାଦପତ୍ରର ପାଠକୀୟ ଆଦର କମି ଆସୁଥିବା ସ୍ଥଳେ ସମ୍ପାଦକମାନଙ୍କ ପାରମ୍ପରିକ ସମ୍ପାଦନା ଶୈଳୀରେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି । ସଦାସର୍ବଦା ପାଠକ ଗୋଷ୍ଠୀଙ୍କୁ ନୂତନତ୍ୱ ପ୍ରଦାନ ସମ୍ୱାଦମଞ୍ଚଗୁଡ଼ିକର ଧର୍ମ । ଏଥିରେ ବ୍ୟତିକ୍ରମ କିଛିକାଳ ସମ୍ଭବ, କିନ୍ତୁ ଦୀର୍ଘକାଳୀନ ଅଭ୍ୟାସ ଆତ୍ମଘାତୀ । ଇତିହାସ ପୃଷ୍ଠାରେ ପ୍ରକାଶନ ବନ୍ଦ ହୋଇଯାଇଥିବା ବହୁ ସମ୍ୱାଦପତ୍ରର ଉଦାହରଣ ସମ୍ପାଦକୀୟସ୍ତରରେ ପାରମ୍ପରିକ ଆଭିମୁଖ୍ୟକୁ ହିଁ କାରଣ ରୂପେ ସୂଚ଼ିତ କରାଇଥାଏ । ‘ଦି ଗାର୍ଡ଼ିଅନ’ ଯଦି ସମକାଳରେ ଆନ୍ତର୍ଜାତିକସ୍ତରରେ ଗ୍ରାହକଚାନ୍ଦା ଆଶ୍ରିତ ସମ୍ୱାଦପତ୍ର ରୂପେ ମୁଣ୍ଡଟେକିଛି, ତେବେ ସାଫଲ୍ୟର ଶ୍ରେୟ ସମ୍ପାଦକୀୟ ଉତ୍କର୍ଷତାକୁ ଯିବ ।           


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଅକ୍ଟୋବର ୨୦୨


ତଥ୍ୟ:

 

Quinn, Ben. Elliot Dallen, who inspired many articles about his cancer dies aged 31. www.theguardian.com. September 9, 2020.


<www.theguardian.com/society/2020/sep/09/elliot-dallen-family-thank-readers-for-huge-response-to-his-articles>


 

Dallen, Elliot. Terminal cancer means I won’t see the other side of lockdown. www.theguardian.com. April 2, 2020.


<www.theguardian.com/commentisfree/2020/apr/02/terminal-cancer-lockdown-death>


ରବିବାସର ପତ୍ରିକା

ମୁଦ୍ରିତ ଦୈନିକ ସମ୍ୱାଦପତ୍ରର କ୍ରୋଡ଼ପତ୍ର ରୂପେ ରବିବାସର ପତ୍ରିକା ପ୍ରକାଶ ପାଇଥାଏ । ମୂଳତଃ ସମ୍ୱାଦପତ୍ର ମଞ୍ଚରେ ପତ୍ରିକା ପଠନର ଅନୁଭୂତି ଚ଼ରିତାର୍ଥ କରିବା ନିମନ୍ତେ ଏହି ଉଦ୍ୟମ ଅଭିପ୍ରେତ । କ୍ୱଚିତ କେବଳ ରବିବାର ଦିନ ପତ୍ରିକାଧର୍ମୀ ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶନ ମଧ୍ୟ ଦେଖିବାକୁ ମିଳେ ।


 

ଖ୍ରୀଷ୍ଟିୟ କ୍ୟାଲେଣ୍ଡରରେ ରବିବାର ସପ୍ତାହର ପ୍ରଥମ ଦିବସ । ଏହାକୁ ଉପାସନାର ଦିନ ଭାବେ ଗ୍ରହଣ କରାଯାଏ । ବିଶ୍ୱବ୍ୟାପୀ ପାଶ୍ଚାତ୍ୟ ଉପନିବେଶ ପ୍ରତିଷ୍ଠା କାଳରୁ ରବିବାର କର୍ମବିରତି ଓ ଅବସର ବେଳ ରୂପେ ଚ଼ିହ୍ନିତ ହୋଇଆସିଛି । ସପ୍ତାହର କର୍ମମୁଖର ଦିବସଗୁଡ଼ିକରେ ପ୍ରକାଶିତ ଦୈନିକ ସଂସ୍କରଣଗୁଡ଼ିକ ପଠନରେ ଉପଭୋକ୍ତାମାନେ ଦୀର୍ଘ ସମୟ ବିନିଯୋଗ କରିବା ସଂଭବପର ନଥିବା ସ୍ଥଳେ ରବିବାର ଦିନ ଅପେକ୍ଷାକୃତ ଅଧିକ ସମୟ ସମ୍ୱାଦପତ୍ର ପାଠରେ ବିତାଉଥିବା ସାଧାରଣରେ ବିଶ୍ୱାସ । ଏହି କାରଣରୁ ରବିବାସର ପତ୍ରିକା ପ୍ରକାଶ ପାଇଥାଏ ।


 

ମୁଦ୍ରିତ ସମ୍ୱାଦପତ୍ର ମୂଳଦୈନିକ ସଂସ୍କରଣ ସହ ରବିବାର ସଂସ୍କରଣରେ ସମ୍ୱାଦ ଉପସ୍ଥାପନ ଶୈଳୀ ପ୍ରାୟତଃ ସମାନ । କେତେକ ସମ୍ୱାଦପତ୍ର ରବିବାର ଦିନ ଅଳ୍ପ ସଂଖ୍ୟକ ବିଶ୍ଳେଷଣାତ୍ମକ ତଥା ମାନବୀୟ-ଆବେଗ-ସଂପୃକ୍ତ ସମ୍ୱାଦ ପ୍ରକାଶ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ରବିବାର ସଂସ୍କରଣରେ ସ୍ତମ୍ଭ, ସ୍ୱତନ୍ତ୍ର ପୃଷ୍ଠା ଓ ବିଜ୍ଞାପନ ପରିଶିଷ୍ଟ ମଧ୍ୟ ସନ୍ନିବଶିତ ହୋଇଥାଏ । ବୃହତ ସମ୍ୱାଦପତ୍ରଗୁଡ଼ିକରେ ଏହାର ପରିମାଣ ଅଧିକ ଦେଖିବାକୁ ମିଳେ ।


 

ଅଧିକାଂଶ କ୍ଷେତ୍ରରେ ମୂଳ ରବିବାର ସଂସ୍କରଣ ସହ ସ୍ୱତନ୍ତ୍ରଭାବେ ରବିବାସର ପତ୍ରିକା ବିତରଣର ବ୍ୟବସ୍ଥା କରାଯାଇଥାଏ । କ୍ଷୁଦ୍ର ପର୍ଯ୍ୟାୟଭୁକ୍ତ ସମ୍ୱାଦପତ୍ରଗୁଡ଼ିକ ବ୍ୟୟ ସଂକୋଚନ ଉଦ୍ୟମରେ ମୂଳ ସଂସ୍କରଣର କେତେଗୋଟି ପୃଷ୍ଠାରେ ରବିବାସର ପତ୍ରିକା ସ୍ଥାନିତ କରିଥାନ୍ତି । ମହାମାରୀ ‘କୋଭିଡ଼-୧୯’ ସଂକ୍ରମଣ ଓ ତତ୍ ଜନିତ ଲକଡ଼ାଉନ ପରିବେଶରେ ଆମ ଦେଶର ବହୁଳ ପ୍ରସାରିତ ଟାଇମ୍ସ ଅଫ ଇଣ୍ଡିଆ ଓ ହିନ୍ଦୁସ୍ତାନ ଟାଇମ୍ସ ସମେତ ବହୁ ସମ୍ୱାଦପତ୍ର ମୂଳ ରବିବାର ସଂସ୍କରଣ ସହ ପତ୍ରିକା ମିଶାଇ ଦେଇଥିଲେ ।


 

ବୃହତ ସମ୍ୱାଦପତ୍ରଗୁଡ଼ିକରେ ରବିବାସର ପତ୍ରିକା ପ୍ରଯୋଜନା ନିମନ୍ତେ ସ୍ୱତନ୍ତ୍ର ସମ୍ପାଦକୀୟ ବିଭାଗ କାର୍ଯ୍ୟ କରୁଥିବା ସ୍ଥଳେ କ୍ଷୁଦ୍ର ସମ୍ୱାଦପତ୍ରଗୁଡିକ ମୂଳ ସଂସ୍କରଣର ସମ୍ପାଦକମାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥାନ୍ତି । ତେବେ ଉଭୟ କ୍ଷେତ୍ରରେ ଦୈନିକ ସଂସ୍କରଣଠାରୁ ରବିବାସର ପତ୍ରିକା ନିମନ୍ତେ ଭିନ୍ନ ସମ୍ପାଦକୀୟ ନୀତି ନିୟୋଜନ ହେଉଥିବା ସୁସ୍ପଷ୍ଟ । ମହାମାରୀ କାଳରେ ଖର୍ଚ୍ଚକାଟ ନିମନ୍ତେ ରବିବାସର ପତ୍ରିକା ସମ୍ପାଦକ ମଣ୍ଡଳୀ ମଧ୍ୟରୁ କେତେକଙ୍କୁ ଛଟେଇ କରିଦିଆଯାଇଥିବା ଦୃଷ୍ଟିରୁ ପୁନଃନିଯୁକ୍ତିର ଆଶା କ୍ଷୀଣ । ଫଳରେ ରବିବାସର ପତ୍ରିକା ପ୍ରଯୋଜନା କ୍ଷେତ୍ରରେ ବିକଳ୍ପ ଧାରା ‘ମଡ଼େଲ’ ମାନ ବିକଶିତ ହେବା ନିଶ୍ଚିତ ମନେ କରାଯାଏ ।


 

ପାଶ୍ଚାତ୍ୟ ସମ୍ୱାଦପତ୍ର ଶିଳ୍ପର ସମୃଦ୍ଧ ଇତିହାସ ଅନୁଧ୍ୟାନ କଲେ ସ୍ଥଳବିଶେଷରେ ପ୍ରତ୍ୟେକ ଦୈନିକ ସମ୍ୱାଦପତ୍ର ନିଜସ୍ୱ ରବିବାସର ପତ୍ରିକା ପ୍ରଯୋଜନା ନକରି ‘ସିଣ୍ଡିକେଟେଡ଼’ ଅର୍ଥାତ ସାମୂହିକସ୍ତରରେ ପ୍ରସ୍ତୁତ କୋଡ଼ପତ୍ରକୁ ରବିବାସର ସଂସ୍କରଣ ସହ ବିତରଣ କରୁଥିବା ଉଦାହରଣ ନଜରକୁ ଆସେ । ଅର୍ଥାତ ଗୋଟିଏ ସହରରୁ ପ୍ରକାଶିତ କ,ଖ,ଗ ଓ ଘ ସମ୍ୱାଦପତ୍ର ନିଜେ ଚାରିଗୋଟି ରବିବାସର କ୍ରୋଡ଼ପତ୍ର ପ୍ରକାଶନ ନକରି ‘ଚ’ କ୍ରୋଡ଼ପତ୍ରକୁ ସମସ୍ତେ ବା ଏକାଧିକ ବିତରଣର ବ୍ୟବସ୍ଥା କରିଥାନ୍ତି ।


 

ବିଂଶ ଶତାଦ୍ଦୀ ପ୍ରଥମାର୍ଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକାରେ ‘ଦିସ ୱିକ’ ଏକ ଉଦାହରଣ । ଏହା ୧୯୩୫ରୁ ୧୯୬୯ ମଧ୍ୟରେ ‘ନ୍ୟୂୟର୍କ ହେରାଲ୍ଡ ଟ୍ରିବ୍ୟୁନ’ ସୌଜନ୍ୟରେ ପ୍ରକାଶିତ ହେଉଥିଲା । ୧୯୬୩ରେ ‘ଦିସ ୱିକ’ ୪୨ ଗୋଟି ଭିନ୍ନ ସମ୍ୱାଦପତ୍ର ମାଧ୍ୟମରେ ରବିବାର ଦିନ ପ୍ରାୟ ଏକ କୋଟି ୪୬ ଲକ୍ଷ କିତା ବିତରଣ କରାଯାଉଥିଲା । ବିଂଶ ଶତାଦ୍ଦୀର ଶେଷଭାଗରେ ‘ପେରେଡ଼’ ଓ ‘ୟୁଏସଏ ୱିକ-ଏଣ୍ଡ’ ସିଣ୍ଡିକେଟେଡ଼ ରବିବାସର ପତ୍ରିକା ରୂପେ ଖ୍ୟାତିଲାଭ କରିଥିଲା ।


 

ଯୁକ୍ତରାଷ୍ଟ୍ର ଆମେରିକାରେ ୧୮୬୯ରେ ‘ସାନଫ୍ରାନ୍ସିସ୍କୋ କ୍ରୋନିକାଲ’ ଓ ୧୮୯୬ରେ ‘ନ୍ୟୂୟର୍କ ଟାଇମ୍ସ’ ରବିବାସର ପତ୍ରିକା ପ୍ରକାଶନ ଆରମ୍ଭ କରିଥିଲେ । ଜେସେଫ ପୁଲିଜରଙ୍କ ‘ନ୍ୟୁୟର୍କ ୱାର୍ଲ୍ଡ’ ଓ ଉଇଲିୟମ ରାଣ୍ଡେଲଫ ହେଷ୍ଟଙ୍କ ‘ନ୍ୟୂୟର୍କ ଜର୍ଣ୍ଣାଲ’ ରବିବାସର ପତ୍ରିକା ପ୍ରଯୋଜନାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଡ଼ିଜିଟାଲ ମଞ୍ଚର ବ୍ୟାପ୍ତି ଓ ଅର୍ଥନୀତିକ ମାନ୍ଦାବସ୍ଥା ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରର ବିଜ୍ଞାପନ ଆଶ୍ରିତ ମଡ଼େଲ ବିଫଳ ହେବାପରେ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ୱାଦପତ୍ର ପ୍ରକାଶନ ପ୍ରଭାବିତ ହେବା ଅବସରରେ ରବିବାସର ପତ୍ରିକା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛି । ବିଗତ ଦଶନ୍ଧିରେ ଅର୍ଦ୍ଧେକ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହୋଇଯାଇଥିବା ତଥା ଅର୍ଦ୍ଧାଧିକ ସମ୍ୱାଦଶିଳ୍ପ କର୍ମୀ ନିଯୁକ୍ତି ହରାଇଥିବା ହେତୁ ପାରମ୍ପରିକ ମଡ଼େଲରେ ରବିବାସର ପତ୍ରିକାର ପ୍ରତ୍ୟାବର୍ତ୍ତନ ଅସଂଭବ ବିଚାର କରାଯାଏ ।


 

ମୁଦ୍ରିତ ସମ୍ୱାଦପତ୍ରର ରବିବାସର ପତ୍ରିକା କ୍ରୋଡ଼ପତ୍ର ଆକାରରେ ବ୍ରଡ଼ସିଟ, ଟେବଲଏଡ଼ କିମ୍ୱା ମ୍ୟାଗାଜିନ ଫର୍ମାଟରେ ପ୍ରସ୍ତୁତ କରାଯାଏ । କେତେକ ବୃହତ ସମ୍ୱାଦପତ୍ର ଏକ ବଦଳରେ ଏକାଧିକ ପତ୍ରିକା ପ୍ରକାଶ କରିଥାନ୍ତି । କୌଣସି ନିର୍ଦ୍ଦିଷ୍ଟ ବିଷୟକେନ୍ଦ୍ରୀକ ସୃଜନ ପତ୍ରିକାର ବିଶେଷତ୍ୱ । ଯଥା ମହିଳା, କିଶୋର, ଯୁବ କିମ୍ୱା ଭ୍ରମଣ, ମନୋରଞ୍ଜନ ଇତ୍ୟାଦି । ସଂପୃକ୍ତ କ୍ଷେତ୍ରରେ ବିଜ୍ଞାପନ ସଂଗ୍ରହର ସମ୍ଭାବନାକୁ ଲକ୍ଷ୍ୟ ରଖି ବୃହତ ସମ୍ୱାଦପତ୍ରଗୁଡ଼ିକ ଏଭଳି ପତ୍ରିକାଗୁଡ଼ିକ ପ୍ରତି ସପ୍ତାହ ବଦଳରେ ପାକ୍ଷିକ, ମାସିକ, ଦ୍ୱି-ମାସିକ ବା ତ୍ରୟମାସିକଭିତ୍ତିରେ ମଧ୍ୟ ପ୍ରକାଶ କରିଥାନ୍ତି ।


 

ସମ୍ୱାଦପତ୍ର ତୁଳନାରେ ପତ୍ରିକାର ରଚନାଗୁଡ଼ିକ ଦୀର୍ଘ ଓ ଚ଼ିତ୍ରିତ । ଏହାର ଉପସ୍ଥାପନ ପରିପାଟୀ ରୀତିମତ ‘ରେଗୁଲାର’ ବଦଳରେ ମୁକ୍ତ ‘ଲିବରେଟଡ଼’ । ପତ୍ରିକାର ରଚନା ଓ ଉପସ୍ଥାପନ ଉଭୟ କ୍ଷେତ୍ରରେ ସର୍ଜନଶୀଳତାକୁ ଅଗ୍ରାଧିକାର ଦିଆଯାଏ । ପାଶ୍ଚାତ୍ୟ ସମ୍ୱାଦପତ୍ର ଇତିହାସରୁ ଜଣାଯାଏ ଯେ ଊନବିଂଶ ଶତାଦ୍ଦୀ ଶେଷଭାଗରୁ ମୁଦ୍ରଣ ଶୈଳୀ କ୍ରମବିକାଶରେ ‘ରୋଟୋଗ୍ରେଭିଏର’ ପଦ୍ଧତି ପ୍ରଣୟନ ଫଳରେ କ୍ଷୀପ୍ରଗତିରେ ଉଚ୍ଚମାନର ଆଲୋକଚିତ୍ର ମୁଦ୍ରଣ ସମ୍ଭବପର ହୋଇପାରିଲା । ସମ୍ୱାଦ ପରିବେଷଣରେ ଆଲୋକଚ଼ିତ୍ର ଚାକ୍ଷୁଷ ପ୍ରମାଣ ଅନ୍ତର୍ନିହିତ ଥିବା ହେତୁ ସମ୍ୱାଦପତ୍ରଗୁଡ଼ିକ ସେ ଦିଗରେ ଆଗ୍ରହ ପ୍ରକାଶ କରିଥିଲେ ।


 

ତେବେ ରଙ୍ଗୀନ ମୁଦ୍ରଣ ସମୟ ଓ ଖର୍ଚ୍ଚବହୁଳ ଥିବା ହେତୁ ସମ୍ୱାଦପତ୍ରର ଦୈନିକ ସଂସ୍କରଣ ବଦଳରେ ରବିବାସର ପତ୍ରିକା ମୁଦ୍ରଣରେ ପ୍ରଥମେ ବ୍ୟବହୃତ ହୋଇଥିଲା । ଫଳତଃ ଉନ୍ନତ ପରିପାଟୀ ପାଠକଙ୍କୁ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଭାରତରେ ବିଂଶ ଶତାଦ୍ଦୀର ସପ୍ତମ ଦଶକ ମଧ୍ୟଭାଗରେ ଜରୁରିକାଳୀନ ପରିସ୍ଥିତି ପୂର୍ବରୁ ଟାଇମ୍ସ ଗୃପ ଭଳି ପ୍ରକାଶନ ସଂସ୍ଥା ‘ରୋଟୋଗ୍ରାଭିଏର’ ମୁଦ୍ରଣ ଯନ୍ତ୍ର ସ୍ଥାପନ କରିପାରିଥିବା ସ୍ଥଳେ ଜରୁରିକାଳୀନ-ପର ପରିବେଶରେ ରଙ୍ଗୀନ ମୁଦ୍ରଣର ବ୍ୟାପକ ପ୍ରସାର ପତ୍ରିକା ପ୍ରକାଶନ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା । ଓଡ଼ିଶାରେ ଅଷ୍ଟମ ଦଶକ ଆରମ୍ଭରୁ ଅଫସେଟ ମୁଦ୍ରଣ ଆରମ୍ଭ ହେବା ପରେ ମଧ୍ୟ-ଭାଗରୁ ସମ୍ୱାଦପତ୍ରର ରବିବାସର ପତ୍ରିକାଗୁଡ଼ିକ ରଙ୍ଗୀନ ରୂପ ଧାରଣ କରିଥିଲା ।


 

ସମ୍ୱାଦପତ୍ର ପାଠକମାନଙ୍କୁ ଦୈନିକ ସଂସ୍କରଣଗୁଡ଼ିକରେ ପ୍ରକାଶିତ ସମ୍ୱାଦ ତୁଳନାରେ ପୃଥକ ଅନୁଭୂତି ପ୍ରଦାନ ଉଦ୍ଦେଶ୍ୟରେ ରବିବାସର ପତ୍ରିକାଗୁଡ଼ିକରେ କ୍ଷୁଦ୍ରଗଳ୍ପ ଓ ଧାରାବାହିକ ଉପନ୍ୟାସ ସଚ଼ିତ୍ର ପ୍ରକାଶନ ପ୍ରତି ଗୁରୁତ୍ୱ ଆରୋପ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସାହିତ୍ୟ ବଦଳରେ ସମ୍ୱାଦଭିତ୍ତିକ ଫିଚ଼ର ପ୍ରକାଶନ ଧାରା ପ୍ରବର୍ତ୍ତିତ ହେଲା । ଓଡ଼ିଶାରେ ଜରୁରିକାଳୀନ ପରିସ୍ଥିତି-ପୂର୍ବରୁ ପ୍ରକାଶିତ ହାତଗଣତି ଦୈନିକ ସମ୍ୱାଦପତ୍ର ମଧ୍ୟରୁ ‘ପ୍ରଜାତନ୍ତ୍ର’, ‘ମାତୃଭୂମି’ ଓ ‘କଳିଙ୍ଗ’ ରବିବାସର ପତ୍ରିକା ପ୍ରକାଶନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ ଏବଂ ‘ସମାଜ’ ପାରମ୍ପରିକ ଆଭିମୁଖ୍ୟ ବଜାୟ ରଖିଥିଲା । ଜରୁରିକାଳୀନ ପରିସ୍ଥିତି-ପର ନୂତନ ଓଡ଼ିଆ ସାମ୍ୱାଦିକତା ପରିପ୍ରକାଶରେ ‘ସମ୍ୱାଦ’ ନେତୃତ୍ୱ ଗ୍ରହଣ କରିଥିବା ସ୍ଥଳେ ରବିବାସର ପତ୍ରିକାରେ ଫିଚ଼ର ପ୍ରକାଶନ ଧାରା ଆରମ୍ଭ କରିଥିଲା ।


 

ଓଡ଼ିଆ ସାମ୍ୱାଦିକତାରେ ଫିଚର ପ୍ରସ୍ତୁତିରେ ମୂଳରୁ ଦୋଷ, ଦୁର୍ବଳତା ଲାଗିରହିଛି । ଫିଚର ଲେଖକମାନେ ଆଞ୍ଚଳିକ ସମ୍ୱାଦଧର୍ମୀ ରଚନା ନିମନ୍ତେ ବିବରଣୀ ସଂଗ୍ରହ ବଦଳରେ ପ୍ରକାଶିତ ସୂତ୍ରରୁ ତଥ୍ୟ ଆହରଣରେ ଅଭ୍ୟସ୍ତ ହୋଇପଡ଼ିଲେ । ସମ୍ପାଦକୀୟ ଡ଼େସ୍କରେ ଫିଚର ପ୍ରସ୍ତୁତିରେ ତୃଣମୂଳସ୍ତରର ସାମ୍ୱାଦିକମାନଙ୍କୁ ସାମିଲ କରାଯାଇପାରିଲା ନାହିଁ । ଫଳରେ ରବିବାସର ପତ୍ରିକାଗୁଡ଼ିକ ଡ଼ାଇଜେଷ୍ଟଧର୍ମୀ ରଚନା ସମୃଦ୍ଧ ହୋଇପଡ଼ିଲା । ଦୀର୍ଘକାଳଧରି ଏହି ପଦ୍ଧତିର ଉପଯୋଗ ଫଳରେ ଉତ୍ତର ପୀଢ଼ିର ସମ୍ପାଦକମାନେ ଏହାକୁ ଆଦର୍ଶ ରୂପେ ଗ୍ରହଣ କରିନେଲେ । ଆମ ରାଜ୍ୟରେ ଗୋଟିଏ ରବିବାସର ପତ୍ରିକାଠାରୁ ଅନ୍ୟଟି କୌଣସି ଗୁଣରେ ଭିନ୍ନତା ପାଇ ହୁଏନା ।


 

ରବିବାସର ପତ୍ରିକା ପ୍ରଯୋଜନା ଉନ୍ନତ ଶୈଳୀର ସାମ୍ୱାଦିକତା ଆବଶ୍ୟକ କରେ । ସମ୍ୱାଦପତ୍ର ଓ ରବିବାସର ପତ୍ରିକା ମଧ୍ୟରେ ପ୍ରଭେଦ ଏହି ଯେ ଦୈନିକ ସଂସ୍କରଣରେ ପ୍ରକାଶିତ ସମ୍ୱାଦଗୁଡ଼ିକ ତତପରଦିନ ପୁରୁଣା ଆଲୋଡ଼ା ଓ ପଠନଯୋଗ୍ୟ ବିବେଚିତ ହେଉନଥିବା ସ୍ଥଳେ ସାପ୍ତାହିକ ରବିବାସର ପତ୍ରିକାର ରଚନା ଦୀର୍ଘକାଳ ଧରି ପଠନ ଉପଯୋଗୀ ବିବେଚିତ ହୋଇଥାଏ । ଏହି କାରଣରୁ ରବିବାସର ପତ୍ରିକା ପ୍ରଯୋଜନାରେ ସୃଜନ, ସମୟ ଓ ଅର୍ଥ ଆବଶ୍ୟକ ।


 

ସମ୍ୱାଦପତ୍ରର ମୌଳିକତା ପରିସ୍ପୁଟନରେ ରବିବାସର ପତ୍ରିକାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏଦିଗରେ ତାଲିମ ଓ ନିବେଶ ଆବଶ୍ୟକ । ମହାମାରୀ-ପର ଅବସ୍ଥାରେ ଡ଼ିଜିଟାଲ ମଞ୍ଚରେ ଅଡ଼ିଓ ଓ ଭିଡ଼ିଓ ସାମ୍ୱାଦିକତାର ବ୍ୟାପ୍ତିରେ ମୁଦ୍ରିତ ସମ୍ୱାଦପତ୍ର ନିଜସ୍ୱ ସ୍ଥିତି ବଜାୟ ରଖିବା ନିମନ୍ତେ ରବିବାସର ପତ୍ରିକା ପ୍ରକାଶନରେ ଖାମଖିଆଲି ମନୋବୃତ୍ତି ପରିତ୍ୟାଗ କରି ସର୍ଜନଶୀଳ ଆଭିମୁଖ୍ୟ ସମୟର ଆହ୍ୱାନ ବିଚାର କରାଯିବା ଉଚିତ ।            


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଜାନୁୟାରୀ ୨୦୨

ଚାରିବର୍ଗରେ ବିଭକ୍ତ ସମ୍ୱାଦପତ୍ର

ଇଣ୍ଡିଆନ ନିଉଜପେପର ସୋସାଇଟି ପକ୍ଷରୁ କୋଭିଡ଼-୧୯ ମହାମାରୀଜନିତ କ୍ଷୟକ୍ଷତି ଭରଣା ଓ ବ୍ୟବସାୟ ପୁନଋଦ୍ଧାର ନିମନ୍ତେ ସ୍ୱତନ୍ତ୍ର ସରକାରୀ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ୨୦୨୦ ଡ଼ିସେମ୍ୱର ଦ୍ୱିତୀୟ ସପ୍ତାହରେ ଆବେଦନ କରାଯାଇଥିଲା । ଏଥିପୂର୍ବରୁ ସୋସାଇଟିପକ୍ଷରୁ ଅନୁରୂପ ଢ଼ଙ୍ଗରେ ୨୦୨୦ମେ’ମାସରେ ପ୍ରଥମ ପତ୍ର ପ୍ରେରିତ ହୋଇଥିଲା ।


 

ଭାରତୀୟ ମୁଦ୍ରିତ-ସମ୍ୱାଦପତ୍ରଗୁଡ଼ିକର ଶୀର୍ଷ ସଂଗଠନ ମୁଖ୍ୟତଃ ପାଞ୍ଚଗୋଟି ପ୍ରସଙ୍ଗରେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲା । ପ୍ରଥମତଃ, ବିଦେଶରୁ ଆମଦାନୀ କରାଯାଉଥିବା ନିଉଜପ୍ରିଣ୍ଟ ଉପରେ ପାଞ୍ଚ ପ୍ରତିଶତ ‘କଷ୍ଟମ ଡ୍ୟୁଟି’ ପ୍ରତ୍ୟାହାର, ଦ୍ୱିତୀୟତଃ, ସମ୍ୱାଦପତ୍ର ପ୍ରତିଷ୍ଠାନଗୁଡ଼ିକୁ ଦୁଇ ବର୍ଷ ଯାଏଁ ଟିକସ ମୁକ୍ତି, ତୃତୀୟତଃ, ସରକାରୀ ବିଜ୍ଞାପନ ଦର ବୃଦ୍ଧି, ଚ଼ତୁର୍ଥତଃ, ମୁଦ୍ରଣ ଗଣମାଧ୍ୟମରେ ସରକାରୀ ବିଜ୍ଞାପନ ବ୍ୟୟ ୨୦୦ ପ୍ରତିଶତ ବୃଦ୍ଧି ଏବଂ ପଞ୍ଚମତଃ, କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ପକ୍ଷରୁ ସମ୍ୱାଦପତ୍ରଗୁଡ଼ିକର ବିଜ୍ଞାପନ ଦେୟ ତୁରନ୍ତ ପ୍ରଦାନ ଇତ୍ୟାଦି ।


 

ପ୍ରଥମ ପତ୍ରରେ ମହାମାରୀଜନିତ ଲକଡ଼ାଉନ କଟକଣାହେତୁ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ଓ ବିତରଣ ବନ୍ଦ କାରଣରୁ ପ୍ରଥମ ଦୁଇ ମାସରେ ୪,୫୦୦ କୋଟି ଟଙ୍କା କ୍ଷତି ଘଟିଥିବା ସ୍ଥଳେ ଦ୍ୱିତୀୟ ପତ୍ରରେ ନଅ ମାସ ପରେ କ୍ଷତିର ପରିମାଣ ୧୨,୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଏବଂ ଆର୍ଥିକ ବର୍ଷ ଶେଷରେ ୨୦୨୧ ମାର୍ଚ୍ଚ ସୁଦ୍ଧା ୧୬,୦୦୦ କୋଟି ଟଙ୍କାରେ ପହଞ୍ଚିବା ଆକଳନ କରାଯାଇଥିଲା ।


 

ସୋସାଇଟି ପକ୍ଷରୁ ସ୍ପଷ୍ଟ କରିଦିଆଯାଇଥିଲା ଯେ ମହାମାରୀ କାରଣରୁ ଦେଶର ନିର୍ଦ୍ଦିଷ୍ଟ ସଂଖ୍ୟକ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହୋଇଯାଇଥିବା ସ୍ଥଳେ ଅନ୍ୟ କେତେକ ଆଞ୍ଚଳିକ ସଂସ୍କରଣ ପ୍ରକାଶନ ସ୍ଥଗିତ ରଖିଥିଲେ । ବ୍ୟବସାୟରେ ସୁଧାର ଆଣିବା ନିମନ୍ତେ ସମସ୍ତ ଯତ୍ନ ସତ୍ତ୍ୱେ ଯଦି ବ୍ୟାବସାୟିକ ସ୍ଥିତାବସ୍ଥାରେ ପରିବର୍ତ୍ତନ ନଘଟେ ତେବେ ଆହୁରି ଅଧିକସଂଖ୍ୟକ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହେବା ସୁନିଶ୍ଚିତ । ମୁଦ୍ରିତ ଗଣମାଧ୍ୟମ ବ୍ୟବସାୟରେ ମାନ୍ଦାବସ୍ଥା ଦ୍ୱାରା ସମ୍ୱାଦପତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିୟୋଜିତ ୩୦ ଲକ୍ଷ କର୍ମଚାରୀ ପ୍ରଭାବିତ ହୋଇଛନ୍ତି ।


 

ସୋସାଇଟିର ଅଧ୍ୟକ୍ଷ ଏଲ. ଆଦିମୁଲାମ ଏବଂ ଉପାଧ୍ୟକ୍ଷ ମୋହିତ ଜୈନ ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପର ଭବିଷ୍ୟତ ସଂପର୍କରେ ଉଦବେଗ ପ୍ରକାଶ କରିଆସିଛନ୍ତି । ଏହି ପରିସ୍ଥିତି ଦେଶରେ ପ୍ରକାଶିତ ଅସଂଖ୍ୟ କ୍ଷୁଦ୍ର, ମଧ୍ୟମ ଓ ଇଂଲିଶ ସମ୍ୱାଦପତ୍ରର ସାମଗ୍ରିକ ଅବସ୍ଥା ବୋଲି ବିଚାର କରାଗଲେ ଆଞ୍ଚଳିକ ଭାଷାରେ ପ୍ରକାଶ ପାଉଥିବା କେତେକ ଆଗଧାଡ଼ିର ସମ୍ୱାଦପତ୍ରର ବ୍ୟାବସାୟିକ ପରିସ୍ଥିତିରେ ସାମାନ୍ୟ ସୁଧାର ଆସି ଯାଇଥିବା ସଂପୃକ୍ତ ସଂସ୍ଥାଗୁଡ଼ିକ ପକ୍ଷରୁ ଦାବୀ କରାଯାଉଥିବା ନଜରକୁ ଆସିଥାଏ ।


 

ଅଗ୍ରଣୀ ଇଂଲିଶ ଓ ବାଣିଜ୍ୟ ସମ୍ୱାଦପତ୍ରର କର୍ମକର୍ତ୍ତାଙ୍କ ଆକଳନରେ ୨୦୨୦ ଡ଼ିସେମ୍ୱର ସୁଦ୍ଧା ଏହି ବର୍ଗର ସମ୍ୱାଦପତ୍ରଗୁଡ଼ିକ ମହାମାରୀ-ପୂର୍ବ ଅବସ୍ଥା ପ୍ରସାରର ମାତ୍ର ୬୦ ରୁ ୬୫ ପ୍ରତିଶତରେ ପହଞ୍ଚିବା ପାଇଁ ସମର୍ଥ ହୋଇଥିଲେ । ଅପରପକ୍ଷେ ଆଗଧାଡ଼ିର ହିନ୍ଦି ଓ ଆଞ୍ଚଳିକ ଭାଷାର ସମ୍ୱାଦପତ୍ରଗୁଡ଼ିକର ପ୍ରସାର ପ୍ରାୟ ୮୦ ପ୍ରତିଶତ ଫେରି ପାଇଥିଲେ । ତେବେ ବିଜ୍ଞାପନ କ୍ଷେତ୍ରରେ ମହାମାରୀ-ପୂର୍ବ ଅବସ୍ଥା ତୁଳନାରେ ମାତ୍ର ୫୫ ପ୍ରତିଶତ ଆୟ ହିସାବ କରାଯାଇଥିଲା ।


 

ବହୁ ସଂଖ୍ୟକ ସମ୍ୱାଦପତ୍ର ଦଶହରା ଓ ଦୀପାବଳି ଅବସରରେ ବିପୁଳ ବିଜ୍ଞାପନ ପ୍ରକାଶ କରିଥିଲେହେଁ ସେଥିମଧ୍ୟରୁ ଅଧିକାଂଶ ରିହାତି ଦରରେ ମୁଦ୍ରିତ ହୋଇଥିବା ହେତୁ ପ୍ରକୃତ ବିଜ୍ଞାପନ ଆୟ ପରିମାଣ ସଂକୁଚିତ ରହିଆସିଥିବା କୁହାଯାଇଥିଲା । ପାର୍ବଣ ଋତୁ ପରେ ବିଜ୍ଞାପକମାନେ ଖର୍ଚ୍ଚକାଟ ନୀତି ଅନୁସରଣ କରିବା ହେତୁ ଡ଼ିସେମ୍ୱର ୨୦୨୦ରେ ବିଜ୍ଞାପନ ପରିମାଣ କମିଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଗଣମାଧ୍ୟମ ବିଶ୍ଳେଷକଙ୍କ ମତରେ ୨୦୨୦-୨୧ ଆର୍ଥିକ ବର୍ଷରେ ୪୦ ରୁ ୫୦ ପ୍ରତିଶତ ବିଜ୍ଞାପନ ଆୟ ହାନୀ ଖୁବ୍ ଶୀଘ୍ର ସୁଧୁରିବା ଆଶା କରାଯାଇପାରିନଥିଲା ।


 

ଅପରପକ୍ଷେ ଜାତୀୟସ୍ତରରେ ଅଗ୍ରଣୀ ହିନ୍ଦି ଓ ଆଞ୍ଚଳିକ ଭାଷା ସମୂହ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶକ ‘ଦୈନିକ ଭାସ୍କର’ ଓ ‘ସକାଳ’ର କର୍ମକର୍ତ୍ତାମାନେ ବ୍ୟବସାୟରେ ସୁଧାର ଆସିସାରିଥିବା ତଥା ଭବିଷ୍ୟତ ଉଜ୍ଜ୍ୱଳ ଥିବା ବର୍ଣ୍ଣନା କରିଥିଲେ । ‘ଦୈନିକ ଭାସ୍କର’ର ମୁଖ୍ୟ କର୍ପୋରେଟ ମାର୍କେଟିଂ ଅଫିସରଙ୍କ ହିସାବରେ ସ୍ଥଳବିଶେଷରେ ହିନ୍ଦି ଓ ଆଞ୍ଚଳିକ ଭାଷାର ସମ୍ୱାଦପତ୍ରଗୁଡ଼ିକ ୮୫ ରୁ ୯୦ ପ୍ରତିଶତ ପ୍ରସାର ସଂଖ୍ୟା ଡ଼ିସେମ୍ୱର ୨୦୨୦ ସୁଦ୍ଧା ଫେରି ପାଇସାରିଥିବା ଦର୍ଶାଇଥିଲେ । ଦକ୍ଷିଣ ଭାରତରେ ପ୍ରସାରଣରେ ଉନ୍ନତି ଉତ୍ତର ଭାରତ ତୁଳନାରେ ଭଲ ରହିଥିବା କୁହାଯାଇଥିଲା ।


 

ସକାଳ ପେପରର୍ସ ପ୍ରାଇଭେଟ ଲିମିଟେଡ଼ର କର୍ମକର୍ତ୍ତା କହିଥିଲେ ଯେ ତାଙ୍କରି ସଂସ୍ଥା ଦ୍ୱାରା ପ୍ରକାଶିତ ସମ୍ୱାଦପତ୍ର ମହାମାରୀ-ପୂର୍ବ ଅବସ୍ଥା ତୁଳନାରେ ୮୦ ପ୍ରତିଶତ ପ୍ରସାର ପ୍ରତ୍ୟାବର୍ତ୍ତନ ହୋଇ ସାରିଥିବା ସ୍ଥଳେ ୪୦ ପ୍ରତିଶତ ବିଜ୍ଞାପନ ଆୟ ହାନୀ ଡ଼ିସେମ୍ୱର ସୁଦ୍ଧା ୩୦ ପ୍ରତିଶତକୁ କମିଯାଇଥିଲା । ବୃହତ ହିନ୍ଦି ସମ୍ୱାଦପତ୍ରର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ ଯେ ବିଜ୍ଞାପନ କ୍ଷେତ୍ରରେ ସୁଧାର ଆସିଥିଲେ ହେଁ ଯେଉଁ ବିଜ୍ଞାପକମାନେ ସାଧାରଣ ପରିସ୍ଥିତିରେ ମାସରେ ପାଞ୍ଚଗୋଟି ବିଜ୍ଞାପନ ପ୍ରକାଶନ କରୁଥିଲେ ଲକଡାଉନ-ପର ପରିସ୍ଥିତିରେ ଦୁଇ ବା ତିନି ଥର ପ୍ରକାଶନକୁ ଖସି ଆସିଥିଲେ । ଅର୍ଥାତ ବିଜ୍ଞାପନ ବଜାର ରହିଛି, କିନ୍ତୁ ବ୍ୟୟ କମିଯାଇଥିଲା ।


 

ଉତ୍ତର ଓ ମଧ୍ୟ-ଭାରତରେ ବହୁଳ ପ୍ରସାରିତ ‘ଦୈନିକ ଭାସ୍କର’ ପକ୍ଷରୁ ଦୀପାବଳି ପାର୍ବଣ ବିଶେଷାଙ୍କଗୁଡ଼ିକର ପୃଥୁଳ ଆକାର ଗଣମାଧ୍ୟମ ବିଶ୍ଳେଷକମାନଙ୍କୁ ଚକିତ କରିଦେଇଥିଲା । ଏହାର ସିମଲା ସଂସ୍କରଣ ୧୪୪ ପୃଷ୍ଠା ସମ୍ୱଳିତ ହୋଇଥିବା ସ୍ଥଳେ ବିକାନିର ସଂସ୍କରଣ ୧୩୦ ପୃଷ୍ଠା, ଭୋପାଳ, ଇନ୍ଦୋର ଓ ଉଜ୍ଜୟନୀ ସଂସ୍କରଣଗୁଡ଼ିକ ୮୦ ପୃଷ୍ଠା ବିଶିଷ୍ଟ ହୋଇଥିବା ଜଣାଯାଏ ।


 

ହିନ୍ଦି ଓ ଆଞ୍ଚଳିକ ଭାଷାର ଅଗ୍ରଣୀ ସମ୍ୱାଦପତ୍ରଗୁଡ଼ିକ ଉଭୟ ବିଜ୍ଞାପନ ଓ ପ୍ରସାର ଆୟ ବୃଦ୍ଧିରେ ଆଶାବାଦୀ । ଡ଼ିଜିଟାଲ ମଞ୍ଚରେ ବିଜ୍ଞାପନ ବ୍ୟୟ ବୃଦ୍ଧି ସତ୍ତ୍ୱେ ଆଗାମୀ କିଛି ବର୍ଷ ଯାଏଁ ଗଭୀର ଆଞ୍ଚଳିକ ‘ହାଇପର ଲୋକାଲ’ ବିଜ୍ଞାପନ ବ୍ୟୟ ସମ୍ୱାଦପତ୍ରକୁ ହିଁ ଆସିବା ନେଇ ସେମାନେ ନିଶ୍ଚିତ । ମହାମାରୀଜନିତ ଲକଡ଼ାଉନ ପରିସ୍ଥିତିରେ ବିଜ୍ଞାପନ ଆୟ କମି ଯାଇଥିବା ସ୍ଥଳେ ପାର୍ବଣ ଋତୁ ବିଜ୍ଞାପନ ବ୍ୟୟ ନିମନ୍ତେ ବିଜ୍ଞାପକମାନଙ୍କୁ ଉତ୍ସାହିତ କରିଥିଲା । ଏହା ସମ୍ୱାଦପତ୍ରଗୁଡ଼ିକ ପକ୍ଷେ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା ।


 

ସେହିପରି ପ୍ରସାର କ୍ଷେତ୍ରରେ ସାଧାରଣତଃ ନବସାକ୍ଷରଙ୍କ ସଂଖ୍ୟା ବୃଦ୍ଧି ହେତୁ ବାର୍ଷିକ ଭିତ୍ତିରେ ତିନିରୁ ଚାରି ପ୍ରତିଶତ ବଢୁଥିବା ସ୍ଥଳେ ଲକଡ଼ାଉନ-ପର ଅବସ୍ଥାରେ ସମ୍ୱାଦପତ୍ରଗୁଡ଼ିକ ଯତ୍ନଶୀଳ ହେଲେ ସେହି ମାତ୍ରା ହାସଲ ସମ୍ଭବପର ବୋଲି ଗଣମାଧ୍ୟମ ବିଶ୍ଳେଷକମାନେ କହୁଛନ୍ତି । ଅବଶ୍ୟ ଏଥିପାଇଁ ସ୍ୱତନ୍ତ୍ର ବ୍ୟାବସାୟିକ ଅଭିଯାନ ‘ମାର୍କେଟିଂ ଷ୍ଟାଟେଜି’ ଆବଶ୍ୟକ । ଜନସାଧାରଣରେ ଟେଲିଭିଜନ ଦେଖା, ଫୋନ ବ୍ୟବହାର ତୁଳନାରେ ସମ୍ୱାଦପତ୍ର ପଠନ ଉତ୍ତମ ଅଭ୍ୟାସ ରୂପେ ବିବେଚିତ ହେଉଥିବା ହେତୁ ମୁଦ୍ରଣ ମାଧ୍ୟମ ଏହିଭଳି ମାନସିକତାରୁ ଫାଇଦା ଉଠାଇ ପାରିବେ ବୋଲି ଆଶା କରାଯାଉଛି ।


 

ମୋଟ ଉପରେ କହିବାକୁ ଗଲେ ଲକଡ଼ାଉନ-ପର ଅବସ୍ଥାରେ ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପରେ ଇଂଲିଶ ଓ ଆଞ୍ଚଳିକ ଭାଷାର ସମ୍ୱାଦପତ୍ର ତଥା ଅଗ୍ରଣୀ ଓ କ୍ଷୁଦ୍ର, ମଧ୍ୟମ ସଂବାଦପତ୍ର ବ୍ୟାବସାୟିକ ସ୍ଥିତାବସ୍ଥା ଦୃଷ୍ଟିରୁ ଚାରିଗୋଟି ସ୍ୱତନ୍ତ୍ର ବର୍ଗରେ ପର୍ଯ୍ୟାୟଭୁକ୍ତ ହୋଇଛନ୍ତି । ପ୍ରତ୍ୟେକ ବର୍ଗର ସମ୍ୱାଦପତ୍ର ବିଜ୍ଞାପନ ଓ ପ୍ରସାର ଆୟ ଭୌଗଳିକ ପରିବେଶ ଅନୁଯାୟୀ ଭିନ୍ନ ଭିନ୍ନସ୍ତରରେ ରହିଛି । କେତେକ ସମ୍ୱାଦପତ୍ର ପରିସ୍ଥିତିକୁ ମୁକାବିଲା କରିପାରିବା ସମ୍ଭାବନା ସୂଚିତ ହେଉଥିବା ସ୍ଥଳେ ଅନ୍ୟ କେତେକ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ପ୍ରାୟ ପରିସ୍ଥିତିରେ ଉପନୀତ ହୋଇଛନ୍ତି ।


 

ଇଣ୍ଡିଆନ ନିଉଜପେପର ସୋସାଇଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ ପାଞ୍ଚଗୋଟି ମୁଖ୍ୟ ପ୍ରୋତ୍ସାହନ ପ୍ରସ୍ତାବ ମଧ୍ୟରୁ ତିନିଗୋଟି ସରକାରୀ ବିଜ୍ଞାପନ ସଂପର୍କୀତ । ଏଠାରେ ଦୁଇଗୋଟି ବିଷୟ ଚର୍ଚ୍ଚାର ପରିସରକୁ ଆସିଥାଏ । ପ୍ରଥମତଃ, ଆନ୍ତର୍ଜାତିକସ୍ତରରେ ସମ୍ୱାଦପତ୍ରର ବିଜ୍ଞାପନଆଶ୍ରିତ ମଡେଲ ଭୁଷୁଡ଼ି ପଡୁଥିବା ସ୍ଥଳେ ଭାରତୀୟ ସମ୍ୱାଦପତ୍ରଗୁଡ଼ିକ ବିକଳ୍ପ ମଡ଼େଲରେ ବିକଶିତ ହେବା ସମୟ ଆସି ପହଞ୍ଚିଛି । ଦ୍ୱିତୀୟତଃ, ସରକାରୀ ବିଜ୍ଞାପନ ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହେଲେ ସମ୍ୱାଦପତ୍ରଗୁଡ଼ିକ ଜନସାଧାରଣଙ୍କ ସମସ୍ୟା ଆଲୋକପାତ କରିବା ଦିଗରେ ନିଜର ସାମାଜିକ ଦାୟବଦ୍ଧତା କେତେଦୂର ଚରିତାର୍ଥ କରିପାରିବେ ? ସାମ୍ୱାଦିକତା ସାମାଜିକ ହିତରେ ସଂପୃକ୍ତ ରହୁଥିବା ହେତୁ ଯେଉଁ ପ୍ରକାଶନଗୁଡ଼ିକ ଅଣ-ବ୍ୟାବସାୟିକ ‘ନନ-ପ୍ରଫିଟ’, ସେଗୁଡିକୁ ଟିକସ ଛାଡ଼ ଓ ନିଉଜପ୍ରିଣ୍ଟ ଉପରେ ଆମଦାନୀ ଶୁକ୍ଳ ହ୍ରାସ ଭଳି ପଦକ୍ଷେପ ସ୍ୱାଧୀନ ସାମ୍ୱାଦିକତାକୁ ପରିପୁଷ୍ଟ କରିପାରିବା ବିଶ୍ୱାସ କରାଯାଇପାରେ ।             


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୨


ତଥ୍ୟ:


 

Indian Newspaper Society urges government to provide stimulus package for newspaper industry. www.thehindu.com. December 12, 2020


 

https://www.thehindu.com/news/national/indian-newspaper-society-urges-government-to-provide-stimulus-package-for-newspaper-industry/article33311700.ece


 

Newspapers may not recover from Covid jolt anytime soon, revenues to be 30% down next year. www.bestmeidainfo.com. November 30, 2020


 

https://bestmediainfo.com/2020/11/newspapers-may-not-recover-from-covid-jolt-anytime-soon-revenue-to-be-30-down-next-year-say-experts/


 

Chacko, Benita. Regional print media optimistic of full recovery by mid – 2021. www.bestmediainfo.com. December 14, 2020


 

https://bestmediainfo.com/2020/12/regional-print-media-optimistic-of-full-recovery-by-mid-2021/

 ଆଞ୍ଚଳିକ ଲଘୁ ସମ୍ୱାଦପତ୍ରର ପ୍ରଭାବ

ଆଞ୍ଚଳିକ ଲଘୁ ସମ୍ୱାଦପତ୍ରଗୁଡ଼ିକ ବିକଶିତ ରାଷ୍ଟ୍ରମାନଙ୍କରେ ଗଣମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶିତ ହେଉଥିଲେ ହେଁ ବିକଶିତ ରାଷ୍ଟ୍ର ତୁଳନାରେ ପ୍ରଭାବ ବିସ୍ତାରରେ ସମର୍ଥ ହୋଇପାରି ନଥାନ୍ତି । ଉଦାହରଣରେ ଭାରତ ସହ ଯୁକ୍ତରାଷ୍ଟ୍ର ଆମେରିକାର ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପରିବେଶ ତୁଳନା କରାଯାଇପାରେ ।


 

ଭାରତରେ ଆଞ୍ଚଳିକ ଲଘୁ ସମ୍ୱାଦପତ୍ରଗୁଡ଼ିକ ବ୍ୟକ୍ତିବିଶେଷ ବା ଛୋଟମୋଟ ପ୍ରକାଶନ ସଂସ୍ଥାଦ୍ୱାରା ପ୍ରକାଶିତ ହେଉଥିବା ସ୍ଥଳେ ଆମେରିକାରେ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ସହ ବୃହତ ଓ ମଧ୍ୟମ ଧରଣର ପ୍ରକାଶନ ସଂସ୍ଥା ସଂପୃକ୍ତ । ଏଠାରେ ଅଧିକାଂଶ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ଗୋଟିଏ ସଂସ୍କରଣ ପ୍ରକାଶନରେ ସୀମିତ ଏବଂ ବ୍ୟାବସାୟିକ ଦୃଷ୍ଟିରୁ ପର୍ଯ୍ୟାପ୍ତ ପୁଞ୍ଜିଲଗାଣ ଅଭାବ ସାମ୍ନା କରିଥାନ୍ତି । କିନ୍ତୁ ସେଠି ବଡ଼ ବଡ଼ କମ୍ପାନୀଦ୍ୱାରା ବହୁ ସଂସ୍କରଣ ବିଶିଷ୍ଟ ବିପୁଳ ପୁଞ୍ଜିଲଗାଣରେ ଆଞ୍ଚଳିକ ଲଘୁ ସମ୍ବାଦପତ୍ରମାନ ପ୍ରକାଶିତ ହୋଇଥାଏ ।


 

ଆମେରିକାରେ ଛୋଟ ବଡ଼ ସହର ବ୍ୟତୀତ ସମସ୍ତ ‘କାଉଣ୍ଟି’ ବା ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ପରିମାଣରେ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ବ୍ୟବସ୍ଥା ରହିଛି । ଗଭୀର ଆଞ୍ଚଳିକତା ‘ହାଇପର ଲୋକାଲାଇଜେସନ’ ଧାରାରେ ନିର୍ଦ୍ଦିଷ୍ଟ ଅଞ୍ଚଳଭିତ୍ତିକ ସମ୍ୱାଦପତ୍ର ସ୍ଥାନୀୟ ସାମ୍ୱାଦିକତାରେ ପ୍ରଭାଶାଳୀ ଭୂମିକା ନିର୍ବାହ କରିଥାଏ । ପ୍ରାୟ ତିନିହଜାର ଜନସଂଖ୍ୟା ବିଶିଷ୍ଟ ବସତି ନିମନ୍ତେ ଅନ୍ତତଃପକ୍ଷେ ଗୋଟିଏ ପାକ୍ଷିକ ଲଘୁ ସମ୍ୱାଦପତ୍ର ପ୍ରକାଶିତ ହେଉଥିବା ଦେଖିବାକୁ ମିଳିଥାଏ ।


 

ଆମେରିକାର ଆଞ୍ଚଳିକ ଲଘୁ ସମ୍ୱାଦପତ୍ରଗୁଡ଼ିକ ବିଜ୍ଞାପନଆଶ୍ରିତ ବ୍ୟାବସାୟିକ ଧାରାରେ ପରିଚ଼ାଳିତ ।ଏଥିରେ ସ୍ଥାନୀୟ ଦୋକାନ ବଜାର ସମେତ ବ୍ୟକ୍ତିଗତସ୍ତରରେ ବିଭିନ୍ନ ସେବା ଆଦାନପ୍ରଦାନ ସଂପର୍କିତ ବିଜ୍ଞାପନ ମୁଖ୍ୟସ୍ଥାନ ଅଧିକାର କରିଥାଏ । ବର୍ଗୀକୃତ ‘କ୍ଳାସିଫାଏଡ଼’ ବିଜ୍ଞାପନଗୁଡ଼ିକ ବ୍ୟାବସାୟିକ ରାଜସ୍ୱର ପ୍ରମୁଖ ଭାଗ ଭରଣା ପାଇଁ ଦାୟୀ ।


 

ଏଭଳି ସମ୍ୱାଦପତ୍ରରେ ପର୍ଯ୍ୟାପ୍ତ ସଂଖ୍ୟକ ସାମ୍ୱାଦିକ ନିଯୁକ୍ତ ଥିବା ତଥା ତୃଣମୂଳସ୍ତର ସମ୍ୱାଦସଂଗ୍ରହ ନିମନ୍ତେ ନିୟୋଜିତ ହେଉଥିବା ହେତୁ ସ୍ଥାନୀୟ ପ୍ରଶାସନ, ନାଗରିକ ସୁବିଧା ସୁଯୋଗ ଓ ସାମାଜିକ-ସାଂସ୍କୁତିକ-ଅର୍ଥନୀତିକ ଜୀବନ ବିକାଶରେ ସବିଶେଷ ଯୋଗଦାନ କରୁଥିବା ଅନୁଭୂତ ହୋଇଥାଏ । ତେବେ ବିଗତ ଦଶକର ଆର୍ଥିକ ମାନ୍ଦାବସ୍ଥା ପ୍ରଭାବରେ ବିଜ୍ଞାପନ ରାଜସ୍ୱ କ୍ଷୟ, ସମ୍ୱାଦପତ୍ର ପ୍ରକାଶନ ଖର୍ଚ୍ଚ ବୃଦ୍ଧି ଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନଲାଇନ ସମ୍ୱାଦ ପରିବେଷଣ ଲୋକପ୍ରିୟତା ହାସଲ କରିବା ହେତୁ ଆମେରିକାର ମୁଦ୍ରିତ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ଶିଳ୍ପ ଗଭୀର ପ୍ରଭାବିତ ହୋଇଛି । ନିକଟ ଅତୀତରେ ବହୁ ପ୍ରକାଶନ ବନ୍ଦ ହୋଇଛି ଏବଂ ବନ୍ଦ ହେବାରେ ଲାଗିଛି ।


 

ଆମେରିକାରେ ଅନଲାଇନ ପରିବେଶ ପ୍ରଭାବରେ ମୁଦ୍ରିତ ସମ୍ୱାଦ ଶିଳ୍ପ ୨୦୧୮ ସୁଦ୍ଧା ରୁଗଣପ୍ରାୟ ଅବସ୍ଥାରେ ଆସି ପହଞ୍ଚିଥିବା ଲକ୍ଷ୍ୟ କରାଯାଏ । ତେବେ ସାମ୍ୱାଦିକତାକ୍ଷେତ୍ରରେ ମୁଦ୍ରିତ ସମ୍ୱାଦ ଶିଳ୍ପର ପରାକାଷ୍ଠା ଅନଲାଇନ ସମ୍ୱାଦ ପ୍ରଚ଼େଷ୍ଟାରେ ପ୍ରତିଫଳିତ ହୋଇ ପାରୁ ନାହିଁ । ବିଶେଷକରି ସ୍ଥାନୀୟ ପ୍ରଶାସନର ତୃଟିବିତୃଟି ସଜାଡ଼ିବା ଓ ସାର୍ବଜନୀନ ସୁବିଧାସୁଯୋଗ ହାସଲ ନିମନ୍ତେ ଆଞ୍ଚଳିକ ଲଘୁ ସମ୍ୱାଦପତ୍ରର ସାମ୍ୱାଦିକମାନେ ଅତୀନ୍ଦ୍ରପ୍ରହରୀ ରୂପେ କାର୍ଯ୍ୟ କରୁଥିବାବେଳେ, ମୁଦ୍ରିତ ସମ୍ୱାଦପତ୍ରର ଅନୁପସ୍ଥିତିରେ ସେ ଦିଗରେ ଅନଲାଇନ ସାମ୍ୱାଦିକତା ପ୍ରଭାବଶୂନ୍ୟ ମନେହେଉଛି ।


 

ଆମେରିକାର ଚ଼ିକାଗୋ ସହରର ନଟ୍ରେଡ଼ାମେ ଓ ଇଲିଅନ୍ସ ବିଶ୍ୱବଦ୍ୟାଳୟର କେତେଜଣ ଅଧ୍ୟାପକ ୨୦୪ ଗୋଟି କାଉଣ୍ଟିରେ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ଓ ସ୍ଥାନୀୟ ପୌର ପ୍ରଶାସନରେ ସାମ୍ୱାଦିକତାର ପ୍ରଭାବ ସଂପର୍କରେ ୧୯୯୬ରୁ ୨୦୧୫ କୋଡ଼ିଏ ବର୍ଷର ଇତିହାସ ଅନୁଶୀଳନ କରିଥିଲେ । ସେମାନଙ୍କ ଗବେଷଣାରୁ ଜଣାଯାଇଛି ଯେ ଯେଉଁ କାଉଣ୍ଟିଗୁଡ଼ିକରେ ମୁଦ୍ରିତ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ସଂଖ୍ୟା ଦୁଇ ବା ଏକକୁ କମି ଆସିଛି ସେଠାକାର ପୌର ପ୍ରଶାସନରେ ଶୀଥିଳତା ଅନୁଭୂତ ହେଉଛି । ଅପରପକ୍ଷେ ଯେଉଁ କାଉଣ୍ଟିଗୁଡ଼ିକରେ ମୁଦ୍ରିତ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହୋଇନାହିଁ ଏବଂ ଗତ ଦୁଇ ଦଶନ୍ଧିଧରି ପୂର୍ବବତ ରହିଛି ସେଠାକାର ପୌର ପ୍ରଶାସନ ଅପେକ୍ଷାକୃତ ଉତ୍ତମ କାର୍ଯ୍ୟ କରୁଛି ।


 

ଏହି ଗବେଷଣାରୁ ଜଣାଯାଇଛି ଯେ କେତେକ କାଉଣ୍ଟିରେ ମୁଦ୍ରିତ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ବନ୍ଦର ତିନିବର୍ଷ ପରେ ସ୍ଥାନୀୟ ସମ୍ୱାଦିକତାର ସମୀକ୍ଷା ଅଭାବରେ ପୌର ପ୍ରଶାସନଗୁଡ଼ିକରେ ଆର୍ଥିକ ମାନ୍ଦାବସ୍ଥା, କର୍ମଚାରୀଙ୍କ ବିଶୃଙ୍ଖଳିତ ଆଚ଼ରଣ ଓ ଟିକସ ହାର ବୃଦ୍ଧି ଘଟିଛି । ସ୍ଥାନୀୟ ସାମ୍ୱାଦିକତା ବିଷୟକେନ୍ଦ୍ରୀକ ସଚ଼େତନତା ‘ଏକ୍ଟିଭିଜମ’, ଗଣତାନ୍ତ୍ରିକ ଭିତ୍ତିଭୂମି ଓ ପ୍ରଶାସନିକ ଗୁଣବତ୍ତା ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପ୍ରମାଣିତ ହୋଇଛି । ତୃଣମୂଳସ୍ତରରେ ସ୍ଥାନୀୟ ପ୍ରଶାସନିକ ସେବାରେ ସାମ୍ୱାଦିକତାର ପ୍ରଭାବ ଆମେରିକାରେ ଯାହାସବୁ ଗବେଷଣାଦ୍ୱାରା ଆକଳନ କରାଯାଇଛି ତାହା ବିଶ୍ୱର କୋଣ ଅନୁକୋଣରେ ଊଣାଅଧିକେ ଅନୂଭୂତ ହେବା ସ୍ୱାଭାବିକ ।


 

ଓଡ଼ିଶାରେ ମୁଦ୍ରିତ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ସଂଖ୍ୟାବହୁଳ ହେଲେ ହେଁ ବୃତ୍ତିଗତ, ବ୍ୟାବସାୟିକ ତଥା ଗୁଣବତ୍ତା ଦୃଷ୍ଟିରୁ ଉଲ୍ଲେଖନୀୟ ସ୍ଥାନ ହାସଲ କରିପାରି ନଥାଏ । ଅଧିକାଂଶ ପ୍ରକାଶନ କ୍ଷଣିକ ଉନ୍ମାଦନା, ଅନଭିଜ୍ଞତା, ବ୍ୟାବସାୟିକ ଭିତ୍ତିଭୂମି ଓ ପୁଞ୍ଜିଲଗାଣ ଅଭାବ ତଥା ଏକକ ଉଦ୍ୟମ କାରଣରୁ ନିରବିଚ୍ଛନ୍ନ ପ୍ରକାଶନରେ ସମର୍ଥ ହୋଇପାରି ନଥାଏ । ଏଭଳି ଶିଳ୍ପର ବିକାଶନିମନ୍ତେ ସରକାରୀ ବିଜ୍ଞାପନ ପୃଷ୍ଠପୋଷକତା ଯୋଗାଇପାରିବ ବୋଲି ସାଧାରଣରେ ବିଚ଼ାର କରାଯାଉଥିଲେ ହେଁ ସୁଦୃଢ଼ ବୃତ୍ତିଭିତ୍ତିକ ବ୍ୟାବସାୟିକ ମଡ଼େଲ ପ୍ରବର୍ତ୍ତନ ହିଁ ଅବସ୍ଥାକୁ ସୁଧାରିବା ଦିଗରେ ସହାୟକ ହୋଇପାରିବ ।


 

ଓଡ଼ିଶା ଭଳି ରାଜ୍ୟରେ ୨୦୨୫ ସୁଦ୍ଧା ଅନଲାଇନ ପରିବେଶ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପକୁ କିଭଳି ପ୍ରଭାବିତ କରିବ ତାହାର ପୂର୍ବାନୁମାନ ସମ୍ଭବପର ହୋଇପାରୁ ନାହିଁ । ବିକଶିତ ରାଷ୍ଟ୍ରଗୁଡ଼ିକର ଉଦାହରଣ ଏଠାରେ ଆଶା କରାଯାଇ ନପାରେ । ତେବେ ବିଶ୍ୱବ୍ୟାପୀ ସମ୍ୱାଦଶିଳ୍ପ ବିଜ୍ଞାପନରୁ ଗ୍ରାହକ ଚ଼ାନ୍ଦା ଆୟ ଆଡ଼କୁ ମୁହାଉଁଥିବା ଅବସରରେ ଆଞ୍ଚଳିକ ସାମ୍ୱାଦିକତାର ଭିତ୍ତିଭୂମି ସଜାଡ଼ିବାରେ ଅନୁରୂପ ଧାରା ସହାୟକ ହେବ ବୋଲି ବିଶ୍ୱାସ କରାଯାଇପାରେ । ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ନବସାକ୍ଷର ଓ ରାଜନୀତିକ ସଚ଼େତନତା ମୁଦ୍ରିତ ଆଞ୍ଚଳିକ ଲଘୁ ସମ୍ୱାଦପତ୍ରର ଉପସ୍ଥିତିରେ ସହାୟକ ହେବ ଏବଂ ତୃଣମୂଳସ୍ତରରେ ଗଣତାନ୍ତ୍ରିକ ବିଚ଼ାରବୋଧ ପ୍ରସାରରେ ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ଏଥିରେ ସନ୍ଦେହ ନାହିଁ ।              


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅଗଷ୍ଟ ୨୦୧୮


ତଥ୍ୟ:


 

https://qz.com/1331839/the-demise-of-local-newspapers-is-hurting-city-finances/?utm_source=digg&utm_medium=email

ପରିବେଶ ଓ ମୁଦ୍ରିତ ସମ୍ୱାଦପତ୍ର

ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ‘କ୍ଳାଇମେଟ ଚେଞ୍ଜ’ ଜନିତ ପ୍ରାକୃତିକ ଦୁର୍ବିପାକମାନ ବଢ଼ିଚାଲିଥିବା ସ୍ଥଳେ ବିଭିନ୍ନ ରାଷ୍ଟ୍ରରେ ସରକାରୀସ୍ତରରେ ପରିବେଶ ସଂରକ୍ଷଣ ତଥା ଅଙ୍ଗାରକାମ୍ଳ ପଦଚ଼ିହ୍ନ ‘କାରବନ ଫୁଟପ୍ରିଣ୍ଟ’ ହ୍ରାସ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ଖବରଅନ୍ତର ଦୃଷ୍ଟି ଆକର୍ଷଣ କରିଥାଏ । ଉତ୍ତର ଆମେରିକା କାନାଡ଼ାର ମାନିଟୋବା ପ୍ରାଦେଶିକ ସରକାରଙ୍କ ପକ୍ଷରୁ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ଅଗଷ୍ଟ ୨୦୨୦ରେ ସରକାରୀ କାର୍ଯ୍ୟାଳୟ, ସର୍ବସାଧାରଣ ଅର୍ଥରେ ପରିଚାଳିତ ବିଭିନ୍ନ ଅନୁଷ୍ଠାନ ଓ ବିଦ୍ୟାଳୟଗୁଡ଼ିକରେ ମୁଦ୍ରିତ ସମ୍ୱାଦପତ୍ର କିଣିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।


 

କାନାଡ଼ା ଘଞ୍ଚ ଜଙ୍ଗଲର ଦେଶ । ପାର୍ବତ୍ୟାଞ୍ଚଳ, ହ୍ରଦ, ନଦୀରେ ଭରପୁର ମାନିଟୋବା ଛୋଟବଡ଼ ୮୦ ଗୋଟି ପାର୍କରେ ଖେଳକୁଦ ଓ ‘ପୋଲାର ବିଅର’ ଭାଲୁ ପାଇଁ ଖ୍ୟାତ । ଏଠାକାର ଜନସଂଖ୍ୟା ପ୍ରାୟ ଚ଼ଉଦ ଲକ୍ଷ । ସମ୍ୱାଦପତ୍ର ଛାପା କାଗଜ ‘ନିଉଜପ୍ରିଣ୍ଟ’ ଉତ୍ପାଦନରେ କାନାଡ଼ା ଆନ୍ତର୍ଜାତିକସ୍ତରରେ ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବହୃତ ୫୭ ପ୍ରତିଶତ ନିଉଜପ୍ରିଣ୍ଟ କନାଡ଼ାରୁ ଆମଦାନୀ ହୋଇଥାଏ । ଭାରତରେ ମଧ୍ୟ ବ୍ୟବହୃତ ଉଚ୍ଚମାନର ନିଉଜପ୍ରିଣ୍ଟ କାନାଡ଼ାରୁ ଆସେ ।


 

କାନାଡ଼ାରେ ନିଉଜପ୍ରିଣ୍ଟ ଉତ୍ପାଦନ ନିମନ୍ତେ କାଠମଣ୍ଡ ବ୍ୟବହୃତ ଏବଂ ଏଥିଲାଗି ପର୍ଯ୍ୟାପ୍ତ ପରିମାଣ ବୃକ୍ଷଛେଦନ ଆବଶ୍ୟକ ପଡ଼ିଥାଏ । ସେଠାକାର କାଗଜକଳ କର୍ତ୍ତୃପକ୍ଷ କଟାଯାଉଥିବା ପ୍ରତିଟି ବୃକ୍ଷ ବଦଳରେ ନୂତନ ବୃକ୍ଷ ରୋପଣ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ମାନିଟୋବା ପ୍ରାଦେଶିକ ସରକାରଙ୍କ ପକ୍ଷରୁ ମୁଦ୍ରିତ ସମ୍ୱାଦପତ୍ର ବ୍ୟବହାର ସଂକୋଚନ ନୀତି ପ୍ରଣୟନ ଏକ ଚର୍ଚ୍ଚିତ ବିଷୟବସ୍ତୁ ।


 

ମୁଦ୍ରିତ ସମ୍ୱାଦପତ୍ର ପ୍ରଯୋଜନାରେ ଏକ ପକ୍ଷରେ ନିଉଜପ୍ରିଣ୍ଟ, କାଳି, ପରିବହନ ଏବଂ ଅପରପକ୍ଷରେ ସମ୍ୱାଦ ସଂଗ୍ରହ ଓ ରଚନା ପ୍ରସ୍ତୁତି ଦିଗରେ ବିଭିନ୍ନ ବୈଦ୍ୟୁତିକ ଉପକରଣ, ଯାନବାହାନ ଇତ୍ୟାଦି ବ୍ୟବହାରରୁ କାରବନ ଫୁଟପ୍ରିଣ୍ଟ ହିସାବ କରାଯାଇପାରେ । ନିଉଜପ୍ରିଣ୍ଟ କାଠମଣ୍ଡ ଏବଂ ପୁନଃ ପ୍ରକ୍ରିୟାକରଣ ଧାରାରେ ରଦ୍ଦି କାଗଜ ମଣ୍ଡରୁ ପ୍ରସ୍ତୁତ ହୋଇଥାଏ । କୁହାଯାଏ ଯେ ବିଶ୍ୱବ୍ୟାପୀ ବୃକ୍ଷ ଛେଦନରୁ ୪୦ ପ୍ରତିଶତ କାଗଜଶିଳ୍ପରେ ବ୍ୟବହୃତ ହୋଇଥାଏ । ସେହିପରି କାଗଜକଳ ଚାଲିବା ନିମନ୍ତେ ବିଦ୍ୟୁତଶକ୍ତି ଆବଶ୍ୟକ ଏବଂ ଆନ୍ତର୍ଜାତିକସ୍ତରରେ କାଗଜକଳଗୁଡ଼ିକ ପଞ୍ଚମ ବୃହତ୍ତ ବିଦ୍ୟୁତ ବ୍ୟବହାରକାରୀ । ଏତଦ୍ ବ୍ୟତୀତ କାଗଜ ପ୍ରସ୍ତୁତି ପ୍ରକ୍ରିୟାରେ ପର୍ଯ୍ୟାପ୍ତ ପରିମାଣରେ ଜଳ ମଧ୍ୟ ଆବଶ୍ୟକ ପଡ଼ିଥାଏ ।


 

କୁହାଯାଏ ଯେ ଏକ ଟନ ନିଉଜପ୍ରିଣ୍ଟ ପ୍ରସ୍ତୁତିଲାଗି ୧୨ ଗୋଟି ପୂର୍ଣ୍ଣ ବିକଶିତ ବୃକ୍ଷର କାଠ ଆବଶ୍ୟକ ପଡ଼େ । ଏକ ଟନ ନିଉଜପ୍ରିଣ୍ଟରେ ୨,୮୦,୦୦୦ ବ୍ରଡ଼ସିଟ ଅର୍ଥାତ ପ୍ରଚଳିତ ଦୈନିକ ସମ୍ୱାଦପତ୍ରର ଚାରିପୃଷ୍ଠା ସମ୍ୱଳିତ ଖଣ୍ଡ ଉତ୍ପାଦିତ ହୋଇଥାଏ । ନିଉଜପ୍ରିଣ୍ଟ ପ୍ରସ୍ତୁତିରେ କାଠମଣ୍ଡ ସହ ସଲଫର, କ୍ଳୋରିନ, କାଲସିଅମ କାର୍ବୋନେଟ ଓ ଜଳ ବ୍ୟବହୃତ । କାଠମଣ୍ଡ ସ୍ଥାନରେ ରଦ୍ଦି କାଗଜମଣ୍ଡ ମଧ୍ୟ କଞ୍ଚାମାଲ ରୂପେ ବ୍ୟବହାର କରାଯାଇପାରେ ।


 

ନିଉଜପ୍ରିଣ୍ଟ ଉତ୍ପାଦନରେ ପରିବେଶ ପ୍ରଦୂଷଣ ଚାପ ବିଭିନ୍ନ ଦିଗ ଉପରେ ନିର୍ଭର କରିଥାଏ । ପ୍ରଥମତଃ, କାଗଜ ଶିଳ୍ପ ପକ୍ଷରୁ ପ୍ରାକୃତିକ ଜଙ୍ଗଲ କଟାଯିବା ପରେ ସେଠାରେ ପୁଣି ବୃକ୍ଷରୋପଣ କରୁଥିଲେ ସୁଦ୍ଧା ରୋପିତ ବୃକ୍ଷରାଜି ପୁଣି କଞ୍ଚାମାଲଭାବେ ବ୍ୟବହୃତ ହେଉଥିବା ହେତୁ ଦୀର୍ଘକାଳୀନ ହିସାବରେ ପରିବେଶ ଅନୁକୂଳ ସାବ୍ୟସ୍ତ ହୋଇନଥାଏ । ଦ୍ୱିତୀୟତଃ, କାଗଜକଳରେ ପର୍ଯ୍ୟାପ୍ତ ବିଦ୍ୟୁତଶକ୍ତି ବ୍ୟବହୃତ ହେଉଥିବା ସ୍ଥଳେ କେଉଁ ସୂତ୍ରରୁ ବିଦ୍ୟୁତ ଉତ୍ପାଦିତ ହେଉଛି ତାହା ଗୁରୁତ୍ୱ ବହନ କରିଥାଏ । ଉଦାହରଣରେ ନରୱେରେ ପରିବେଶ ଅନୁକୂଳ ପଦ୍ଧତିରେ ବିଦ୍ୟୁତଶକ୍ତି ଉତ୍ପନ୍ନ ହେଉଥିବା କାରଣରୁ ବ୍ରିଟେନର ‘ଦି ଗାର୍ଡ଼ିଅନ’ ଭଳି ସମ୍ୱାଦପତ୍ର ସେହିଭଳି ନିଉଜପ୍ରିଣ୍ଟ ବ୍ୟବହାର କରି କମ କାର୍ବନ ଫୁଟପ୍ରିଣ୍ଟ ପ୍ରତି ଧ୍ୟାନ ଦେଉଛନ୍ତି ବୋଲି ଯୁକ୍ତି ବାଢ଼ିଥାନ୍ତି ।


 

ତୃତୀୟତଃ, ନିଉଜପ୍ରିଣ୍ଟର ପୁନଃପ୍ରକ୍ରିୟାକରଣ ଏହାର କାରବନ ଫୁଟପ୍ରିଣ୍ଟକୁ ପ୍ରଭାବିତ କରେ । ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଅଳିଆ ଆବର୍ଜନାରେ ସାମିଲ ହେଲେ ସେଥିରୁ ପରିବେଶ ପ୍ରଦୂଷଣକାରୀ ମିଥେନ ଗ୍ୟାସ ନିର୍ଗତ ହୋଇଥାଏ । ବିଶେଷଜ୍ଞମାନଙ୍କ ମତରେ ରିସାଇକ୍ଳେନିଂ ପ୍ରକ୍ରିୟାରେ ନିଉଜପ୍ରିଣ୍ଟ ଉତ୍ପାଦନରେ ୪୦ ପ୍ରତିଶତ କମ ବିଦ୍ୟୁତ ଓ ୬୦ ପ୍ରତିଶତ କମ ଜଳ ବ୍ୟବହୃତ ହେଉଥିବା ସ୍ଥଳେ ୭୪ ପ୍ରତିଶତ ବାୟୁ ଓ ୩୫ ପ୍ରତିଶତ ଜଳ ପ୍ରଦୂଷଣ କମାଇଥାଏ । ବିକଶିତ ରାଷ୍ଟ୍ରଗୁଡ଼ିକରେ ୭୦ ପ୍ରତିଶତ ଯାଏଁ ମୁଦ୍ରିତ ସମ୍ୱାଦପତ୍ର ପୁନଃପ୍ରକ୍ରିୟାକରଣରେ ସାମିଲ ହେଉଥିବା ବେଳେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ କମ ।


 

ମୁଦ୍ରିତ ସମ୍ୱାଦପତ୍ର ପ୍ରଯୋଜନା ନିଉଜପ୍ରିଣ୍ଟ ଉପରେ ନିର୍ଭରଶୀଳ ଥିବା ଏବଂ କାଗଜ ଉତ୍ପାଦନଲାଗି କଞ୍ଚାମାଲ ସଂଗ୍ରହରେ ଜଙ୍ଗଲ ଉଚ୍ଛେଦଜନିତ ପ୍ରତିକୂଳ ପରିବେଶ ଜଳବାୟୁ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ହେତୁ ଏଦିଗରେ ସଂଯମ ଆଚ଼ରଣ ପ୍ରତି ବିଶ୍ୱବ୍ୟାପୀ ଗୁରୁତ୍ୱ ଆରୋପ କରାଯାଉଛି । ମାନିଟୋବାର ପ୍ରାଦେଶିକ ସରକାର ୨୦୧୯ରୁ ମୁଦ୍ରିତ ସମ୍ୱାଦପତ୍ର ସୀମିତ ବ୍ୟବହାରଲାଗି ନୀତିଗତ ନିଷ୍ପତ୍ତି ଗ୍ରହଣ କରିଥିଲେ । ଯେଉଁ ପରିସ୍ଥିତିରେ ଅନଲାଇନ ସମ୍ୱାଦ ଆହରଣ ସଂଭବପର ନୁହ ସେଠାରେ ହିଁ ମୁଦ୍ରିତ ସମ୍ୱାଦପତ୍ର ଯୋଗାଣକୁ ଅନୁମତି ଦିଆଯାଇଛି ।


 

ଦଶବର୍ଷ ପୂର୍ବେ ୨୦୦୯ରେ ଆନ୍ତର୍ଜାତିକ ହୋଟେଲ ଚେନ ‘ମାରିଅଟ ଇଣ୍ଟରନ୍ୟାସନାଲ’ ପକ୍ଷରୁ ତାହାର ହୋଟେଲଗୁଡ଼ିକର ପ୍ରତ୍ୟେକ କଠୋରୀରେ ମୁଦ୍ରିତ ସମ୍ୱାଦପତ୍ର ବିତରଣ ପ୍ରଥା ବନ୍ଦ କରିଥିଲା । ଯେଉଁ ଅତିଥିମାନେ ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ଅନୁରୋଧ କରୁଥିଲେ କେବଳ ସେହିମାନଙ୍କୁ ଯୋଗାଇଦେବା ବ୍ୟବସ୍ଥା ପ୍ରଚଳନ ହୋଇଥିଲା । ଫଳରେ ସଂପୃକ୍ତ ହୋଟେଲ ଚେନରେ ପ୍ରାୟ ପଚାଶ ହଜାର ମୁଦ୍ରିତ ସମ୍ୱାଦପତ୍ର ବିତରଣ ବନ୍ଦ କରାଯାଇଥିଲା । ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା ଯେ ଅଧିକାଂଶ ଅତିଥି ସମ୍ୱାଦପତ୍ର ପାଠ କରିବା ନିମନ୍ତେ ଆଗ୍ରହୀ ନଥିବା ସ୍ଥଳେ ବାଧ୍ୟବାଧକତାରେ ପ୍ରତ୍ୟେକ କଠୋରୀରେ ଏକ କିତା ମୁଦ୍ରିତ ସମ୍ୱାଦପତ୍ର ଯୋଗାଣ ପରବର୍ତ୍ତୀ ଅବସ୍ଥାରେ ପ୍ରଦୂଷଣ ବୃଦ୍ଧିର କାରଣ ପାଲଟେ ।


 

ମୁଦ୍ରିତ ସମ୍ୱାଦପତ୍ର ବଦଳରେ ଅନଲାଇନ ସମ୍ୱାଦ ମଞ୍ଚକୁ ଉତ୍ସାହିତ କରିବା ଅବସରରେ ତାହାର ପରିବେଶ ପ୍ରଦୂଷଣ ହିସାବ ଅପେକ୍ଷାକୃତ କମ ଥିଲେ ହେଁ ଆନୁସଙ୍ଗିକ ପ୍ରଭାବ ସଂପର୍କରେ ମଧ୍ୟ ବିଚାରବିମର୍ଷ କରାଯାଉଛି । ଉଭୟ ମୁଦ୍ରିତ ସମ୍ୱାଦପତ୍ର ଓ ଅନଲାଇନ ସମ୍ୱାଦ ମଞ୍ଚ ନିମନ୍ତେ ସଂବାଦ ସଂଗ୍ରହ ଓ ରଚନାରେ ସମପରିମାଣରେ ବିଦ୍ୟୁତଶକ୍ତି, ଯାନବାହାନ ଇନ୍ଧନ ଇତ୍ୟାଦି ବ୍ୟବହୃତ ହୋଇଥାଏ । ମୁଦ୍ରିତ ସମ୍ୱାଦପତ୍ର ପ୍ରସାରରେ ନିଉଜପ୍ରିଣ୍ଟ, କାଳି, ପରିବହନ ଆବଶ୍ୟକ ପଡୁଥିବା ସ୍ଥଳେ କମ୍ପ୍ୟୁଟର ସାମଗ୍ରୀ ନିର୍ମାଣ ତଥା ସର୍ଭର, ନେଟୱାର୍କ ଓ ଉପକରଣ ବ୍ୟବହାର ନିମନ୍ତେ ମଧ୍ୟ ବିଦ୍ୟୁତଶକ୍ତି ଇତ୍ୟାଦି ଗୁରୁତ୍ୱ ବହନ କରେ ।


 

ମୁଦ୍ରିତ ସମ୍ୱାଦପତ୍ରର ସାମାଜିକ ପ୍ରଭାବ ସଂପର୍କରେ ‘ଷ୍ଟକହୋମ ସ୍କୁଲ ଅଫ ଇକନୋମିକ୍ସ’ ପକ୍ଷରୁ ଆୟୋଜିତ ଏକ ଗବେଷଣାରୁ ଜଣାଯାଇଥିଲା ଯେ ମୁଦ୍ରିତ ସମ୍ୱାଦପତ୍ର ପ୍ରଦୂଷଣ ବୃଦ୍ଧିରେ ସହାୟକ ହେଉଥିଲେ ହେଁ ଅଧିକ ମାତ୍ରାରେ ପ୍ରଦୂଷଣ ସୃଷ୍ଟିକାରୀ ବଡ଼ ବଡ଼ ଶିଳ୍ପକାରଖାନାର ପ୍ରଦୂଷଣ ନୀତି ସଂପର୍କୀତ ତଥ୍ୟ ପ୍ରସାରଣ କରି ଜନମତ ଓ ସରକାରୀ ତତ୍ପରତା ଜାଗ୍ରତ ବହୁ ମାତ୍ରାରେ ପ୍ରଦୂଷଣ ହ୍ରାସରେ ସମର୍ଥ ହୋଇଥାଏ । ମୁଦ୍ରିତ ସମ୍ୱାଦପତ୍ରର ସ୍ଥାୟୀତ୍ୱ, ଦୀର୍ଘକାଳୀନ ଜନମତ ସୃଷ୍ଟିରେ ଭୂମିକା ତଥା ତଦ୍ ଅନୁଯାୟୀ ପ୍ରଶାସନିକ ହସ୍ତକ୍ଷେପ ଅନଲାଇନ ସମ୍ୱାଦମଞ୍ଚ ଜରିଆରେ ଯେ ଅସଂଭବ ତାହା ନୁହ, ତେବେ ବର୍ତ୍ତମାନ ସୁଦ୍ଧା ବିକଶିତ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ପ୍ରଭାବଶାଳୀ ହୋଇପାରି ନଥିବା ବହୁ ଗବେଷଣାରୁ ସୁସ୍ପଷ୍ଟ ।


 

ପ୍ରଦୂଷଣ ଏକ ଗୁରୁତର ସମସ୍ୟା ରୂପେ ମୁଣ୍ଡ ଟେକିଥିବା ତଥା ଜଳବାୟୁ ପରିବର୍ତ୍ତନ ଦ୍ୱାରା ମାନବ ସଭ୍ୟତା ସଂକଟର ମୁଖଶାଳାରେ ପହଞ୍ଚିସାରିଥିବା ଅବସରରେ ସମ୍ୱାଦ ଉପଭୋକ୍ତା ପିଛା କାରବନ ଫୁଟପ୍ରିଣ୍ଟ କିପରି କମାଯାଇପାରିବ ସେ ଦିଗରେ ସର୍ଜନଶୀଳ ପଦକ୍ଷେପ ଆବଶ୍ୟକ କରେ । ସାଧାରଣ ହିସାବରେ ପରିବେଶ ତତ୍ତ୍ୱବିତ ମାଇକ ଲି-ବେର୍ଣ୍ଣର୍ସଙ୍କ ମାନାଙ୍କ ବିଚାରକୁ ନେଲେ ଓଡ଼ିଶାରେ ଆଗ ଧାଡ଼ିର କୌଣସି ଦୈନିକ ସମ୍ୱାଦପତ୍ରର ଗ୍ରାହକ ପଠିତ ସମ୍ୱାଦପତ୍ରଗୁଡ଼ିକର ପୁନଃପ୍ରକ୍ରିୟାକରଣ ଦିଗରେ ଧ୍ୟାନ ନଦେଇ ଅଳିଆ ଆବର୍ଜନା ରୂପେ ଫୋପାଡ଼ିଲେ ବ୍ୟକ୍ତି ପିଚ୍ଛା ମାସିକ ପ୍ରାୟ ୧୪ କିଲୋଗ୍ରାମ ଯାଏଁ କାରବନ ଫୁଟପ୍ରିଣ୍ଟର ଅଂଶୀଦାର ହୋଇଥାଏ ।


 

ଅପରପକ୍ଷେ ଉନ୍ନତ ସମ୍ୱାଦ ପରିବେଷଣ ଶୈଳୀରେ ବିଜ୍ଞାପନ ରହିତ କ୍ଷୀଣକାୟ ବ୍ୟାବହାରିକ ସାପ୍ତାହିକ ମୁଦ୍ରିତ ସମ୍ୱାଦପତ୍ର ପ୍ରଚଳନ ହୋଇପାରିଲେ ପାଠକ ପ୍ରତି କାରବନ ଫୁଟପ୍ରିଣ୍ଟ ସାତଭାଗରୁ ଏକ ଭାଗକୁ କମି ଆସିପାରିବ । ସୋସିଆଲ ମିଡ଼ିଆରେ ଚାଳିଶି ପ୍ରତିଶତ ଯାଏଁ ଜନସଂଖ୍ୟା ସାମିଲ ହେବା ଏବଂ ଦୀର୍ଘ ସମୟ ବିତାଇବା ଅଭ୍ୟାସପରେ ଗଭୀର ଆଞ୍ଚଳିକ ସମ୍ୱାଦ ପ୍ରସାରଣରୁ ଖର୍ଚ୍ଚ ବହୁଳ ମୁଦ୍ରିତ ସମ୍ୱାଦପତ୍ର ବିରତ ରହିବା ସମୟ ଉପନୀତ । ଜନହିତ ଲକ୍ଷ୍ୟ ଆଧାରରେ ଉଚ୍ଚମାନର ସାମ୍ୱାଦିକତା ସମୟ, ଖର୍ଚ୍ଚ ଓ ସୃଜନ ନିର୍ଭରଶୀଳ ଥିବା ସ୍ଥଳେ ମୁଦ୍ରିତ ସମ୍ୱାଦପତ୍ରର କଳେବର ସୀମିତ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ନିଜ ବିଜ୍ଞାପନ ନୀତି ବଦଳାଇ ଆକାର ବଦଳରେ ପ୍ରସାରକୁ ଅଗ୍ରାଧିକାର ଦେଲେ ଆମ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଅପେକ୍ଷାକୃତ ଭାବେ ପରିବେଶ ଅନୁକୂଳ ଆଙ୍ଗୀକ ପ୍ରତି ଧ୍ୟାନ ଦେବା ଆଶା କରାଯାଇପାରେ ।               


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୮ ସେପ୍ଟେମ୍ୱର ୨୦୨୦


ତଥ୍ୟ:


 

Macintosh, Maggie. Manitoba orders end to print subscriptions for public entities. www.nigrafallsreview.ca. August 29, 2020.


<https://www.niagrafallsreview.ca/ts/news/canada/2020/08/29/manitoba-orders-end-to-print-subscriptions-for-public-entities.html?utm>

 

 

Zeller Jr, Tom. Skip the newspaper, save the planet ? www.nytimes.com. April 19, 2009


<https://www.nytimes.com/2009/04/20/technology/20green/html>

 

 

Clark, Duncan. What’s the carbon footprint of a newspaper. www.theguardian.com. November 4, 2010


<https://www.theguardian.com/environment/green-living-blog/2010/nov/04/carbon-footprint-newspaper>

 

 

What does the end of newspapers mean for the environment ? www.envirotech-online.com. December 22, 2018. 


<https://www.envirotech-online.com/news/air-monitoring/6/breaking-news/what-does-the-end-of-newspapers-mean-for-the-environment/47852>

 

Koerner, Berendan. slate.com. February 26, 2008. 


<https://slate.com/technology/2008/02/is-it-better-for-the-environment-to-read-your-newspaper-online.html>

 

 

Rogers, Josil. What is the environmental impact of print media ? nouse.co.uk, November 21, 2017. 


<https://nouse.co.uk/2017/11/21/what-is-the-environmental-impact-of-print-meida>


ମୁଦ୍ରିତ ଓଡ଼ିଆ ସାହିତ୍ୟ ପୁସ୍ତକ ପ୍ରକାଶନ

ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକର ରବିବାସରୀୟ ସଂସ୍କରଣ ମଧ୍ୟରେ ‘ସମ୍ୱାଦ’ର ସାହିତ୍ୟ ପୃଷ୍ଠାରେ ପ୍ରତିମାସ ଶେଷ ରବିବାରରେ ଗତ କିଛି କାଳଧରି ପ୍ରକାଶିତ ‘ସାକ୍ଷାତକାର’ ସ୍ତମ୍ୱଟି ସୃଜନ ସଂପ୍ରଦାୟର ଦୃଷ୍ଟିଆକର୍ଷଣ କରିଥାଏ । ସଂପୃକ୍ତ ସମ୍ୱାଦପତ୍ରର ଅନ୍ୟ ରବିବାସରୀୟ ସଂସ୍କରଣଗୁଡ଼ିକ ଅନ୍ୟସବୁ ସମ୍ୱାଦପତ୍ରଭଳି ବାଧ୍ୟବାଧକତାରେ ପ୍ରସ୍ତୁତ ଛୋଟଛୋଟ କବିତା, ଛୋଟ ଗପଟିଏ, କିଛି ପୁସ୍ତକ ପରିଚ଼ିତି ଏବଂ ବେଳେବେଳେ ଏକ ଅତିଦୀର୍ଘ ସ୍ତମ୍ୱରେ ଅଳଂକୃତ ହୋଇଥାଏ । ସ୍ଥୂଳତଃ କହିବାକୁଗଲେ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକର ସାହିତ୍ୟପୃଷ୍ଠା ପାଠକ ମହଲରେ ଆଦୃତ ହେବାଭଳି ସେଭଳି କୌଣସି ବିଭବରେ ସଂଯୋଜିତ ହୋଇ ନଥାଏ । ଦୁଃଖର କଥା ହେଲା ବର୍ଷ ବର୍ଷଧରି ଏହି କ୍ଷେତ୍ରରେ ବିଷୟବିନ୍ୟାସରେ ସାମାନ୍ୟତମ ପରିବର୍ତ୍ତନ ପାଇଁ କେହି ଯତ୍ନବାନ ହେବା ନଜରକୁ ଆସେ ନାହିଁ ।


 

ଗତ ୨୪ ସେପ୍ଟେମ୍ୱର ୨୦୧୭ ରବିବାସରୀୟ ‘ସମ୍ୱାଦ’ର ସାହିତ୍ୟପୃଷ୍ଠାରେ ଲୋକପ୍ରିୟ ଔପନ୍ୟାସିକ ଡ଼କ୍ଟର ବିଭୂତି ପଟ୍ଟନାୟକ ପାଠକମାନଙ୍କ ୧୯ଗୋଟି ସାହିତ୍ୟ, ସାହିତ୍ୟିକ ଜୀବନ ଓ ପ୍ରକାଶନ ସଂପର୍କୀତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ‘ସମ୍ୱାଦ’ର ଏହି ସାକ୍ଷାତକାର ବିଭାଗର ବିଶେଷତ୍ୱ ଏହି ଯେ ଚ଼ିହ୍ନିତ ପ୍ରତିଭାଙ୍କୁ କେହି ଜଣେ ବ୍ୟକ୍ତିଗତଭାବେ ସାକ୍ଷାତକରି ପ୍ରଶ୍ନ ପଚ଼ାରି ଉତ୍ତର ସଂକଳନ କରିବା ବଦଳରେ ବହୁ ପାଠକ ଲିଖିତଭାବେ ପ୍ରଶ୍ନ ପଚ଼ାରିଥାନ୍ତି ଏବଂ ଚ଼ିହ୍ନିତ ପ୍ରତିଭା ଲିଖିତ ଉତ୍ତର ଦେଇଥାନ୍ତି ।


 

ଏଭଳି ସାକ୍ଷାତକାର ଶୈଳୀ ସଂଯୋଜନାଦ୍ୱାରା କେତେକ ଲାଭ ମିଳିଥାଏ । ପ୍ରଥମତଃ ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗର ପାଠକ ଭିନ୍ନଭିନ୍ନ ଦୃଷ୍ଟିକୋଣରୁ ପ୍ରଶ୍ନ କରିବାର ସୁଯୋଗ ସୃଷ୍ଟି ହୋଇଥାଏ, ଦ୍ୱିତୀୟତଃ ଚ଼ିହ୍ନିତ ପ୍ରତିଭା ମୁଖ୍ୟତଃ ଲିଖିତଭାବେ ଉତ୍ତର ଦେଉଥିବାହେତୁ ଭୂଲଭଟକାର ବେଶି ଡ଼ର ନଥାଏ ଏବଂ ତୃତୀୟତଃ ପାଠକମାନଙ୍କୁ ତାଙ୍କରି କଥନଶୈଳୀର ସ୍ୱାଦ ଅନୁଭବ କରିବାର ଅବକାଶ ମିଳିଥାଏ ।


 

ସ୍ୱାଧୀନୋତ୍ତର ଓଡ଼ିଆ ସାହିତ୍ୟରେ ଡ଼କ୍ଟର ବିଭୂତି ପଟ୍ଟନାୟକ ଔପନ୍ୟାସିକ ଓ ସମ୍ୱାଦପତ୍ର ସ୍ତମ୍ୱ ଲେଖକ ଭାବେ ଯେପରି ଖ୍ୟାତ, ପତ୍ରପତ୍ରିକା ସଂପାଦନା, ପ୍ରକାଶନ ଓ ସାହିତ୍ୟ ସଂଗଠନରେ ମଧ୍ୟ ଅଙ୍ଗାଙ୍ଗୀଭାବେ ସଂପୃକ୍ତ । ଓଡ଼ିଆ ଗଣମାଧ୍ୟମ ସଂପର୍କରେ ତାଙ୍କରି ବକ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ । ଆଲୋଚ୍ୟ ସାକ୍ଷାତକାରରେ ନିଜ ଉପନ୍ୟାସ, ଗଳ୍ପ, ଆତ୍ମଜୀବନୀ, ରାଜନୀତିକ ଆଦର୍ଶ ସହ ଓଡ଼ିଆ ସାହିତ୍ୟ ପୁସ୍ତକ ପ୍ରକାଶନ ଶିଳ୍ପ ସଂପର୍କରେ ସେ ନିଜ ଦୃଷ୍ଟିକୋଣ ଉପସ୍ଥାପିତ କରିଛନ୍ତି ।


 

‘ବର୍ତ୍ତମାନ ଓଡ଼ିଆ ବହିର ବିକ୍ରି କମି ଯାଉଛି । ପ୍ରତିକାରର ରାସ୍ତା କିଛି କହିବେ କି ?’ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ଖର୍ଚ୍ଚ ଅତ୍ୟଧିକ ବୃଦ୍ଧି ପାଇବା ଫଳରେ ଓଡ଼ିଆ ପ୍ରତିଷ୍ଠିତ ପ୍ରକାଶକମାନେ ନୂତନ ବହି କିମ୍ୱା ଚ଼ାହିଦା’ ଥିବା ବହିର ପୁନର୍ମୁଦ୍ରଣ କରିବା ପାଇଁ ସାହାସ କରିପାରୁ ନାହାନ୍ତି ।” “ପୁସ୍ତକ ପ୍ରକାଶକମାନେ ସୁଲଭ ମୂଲ୍ୟରେ ଭଲ ବହି ଛାପି ପାଠକମାନଙ୍କ ହାତ ପାଆନ୍ତାରେ ପହଞ୍ଚାଇ ଦେଇ ନ ପାରିବା ଫଳରେ ଓଡ଼ିଆ ବହିର ବିକ୍ରି କମିଯାଉଛି ।” “ଓଡ଼ିଆ ବହି ପାଠକମାନଙ୍କ ଆଗ୍ରହ ଅଭାବ ଯୋଗୁଁ ବିକ୍ରି ହ୍ରାସ ପାଉନାହିଁ ।”


 

“ପ୍ରକାଶକମାନେ ନୂତନ ଲେଖକମାନଙ୍କ ବହି ଛାପୁ ନଥିବାରୁ ଲେଖକମାନେ ନିଜ ଖର୍ଚ୍ଚରେ ବହି ଛାପିବାକୁ ବାଧ୍ୟ ହେଉଛନ୍ତି । ବହି ଦୋକାନ ନଥିବା ଅନେକ ପୁସ୍ତକ ବ୍ୟବସାୟୀ ଲେଖକମାନଙ୍କଠାରୁ ଛାପାଖର୍ଚ୍ଚ ନେଇ ବହି ପ୍ରକାଶ କରୁଥିବା ଯୋଗୁଁ ଓଡ଼ିଆରେ ନୂତନ ବହିସଂଖ୍ୟା ହ୍ରାସ ପାଉ ନାହିଁ, କିନ୍ତୁ ନିଜ ଖର୍ଚ୍ଚରେ ବହି ନ ଛାପୁ ନଥିବାରୁ ଏହି ପ୍ରକାଶକମାନେ ବହିର ମାନ ପ୍ରତି ଉଦାସୀନ ଏବଂ ବିକ୍ରିପାଇଁ ବ୍ୟଗ୍ର ନ ହେବା ସ୍ୱାଭାବିକ । ”


 

“ଇଂରାଜି ଭାଷାରେ ବିଶିଷ୍ଟ ଲେଖକମାନଙ୍କ ଦ୍ୱାରା ଲିଖିତ ଗଳ୍ପ, ଉପନ୍ୟାସ ବ୍ୟତୀତ ଅର୍ଥନୀତି, ରାଜନୀତି, ଜୀବନୀ, ଆତ୍ମଜୀବନୀ ଏବଂ ସମାଜ ବିଜ୍ଞାନ ସମ୍ପର୍କରେ ଯେତେ ବହି ପ୍ରକାଶିତ ହେଉଛି, ଓଡ଼ିଆ ଭାଷାରେ ସେଭଳି ବହି ଲେଖା ହୋଇନାହିଁ । ଏସବୁ ବହି ରେଳଷ୍ଟେସନ, ବିମାନବନ୍ଦରଠାରୁ ଆରମ୍ଭ କରି ମଲ, ରାସ୍ତାକଡ଼ ଦୋକାନରେ ମୁଦ୍ରିତ ମୂଲ୍ୟଠାରୁ ଯଥେଷ୍ଟ କମ ଦାମରେ କିଣିବାକୁ ହାତଠାରି ଡ଼ାକେ । ତେଣୁ ଓଡ଼ିଆ ବହି ଅପେକ୍ଷା ଓଡ଼ିଆ ଲୋକେ ଯଦି ଏସବୁ ଇଂରାଜି ବହି କିଣୁଥାନ୍ତି, ସେଥିରେ ବିସ୍ମିତ ହେବାର କିଛି ନାହିଁ ।”


 

ସେ ପୁଣି ଦର୍ଶାଇଛନ୍ତି, “ଗତ ଦଶବର୍ଷ ମଧ୍ୟରେ ପ୍ରକାଶନ ଖର୍ଚ୍ଚ ବହୁଗୁଣିତ ହୋଇଯିବାବେଳେ ସରକାର ଓଡ଼ିଆ ବହି କିଣି ସ୍କୁଲକଲେଜ ପାଠାଗାରକୁ ଯୋଗାଇବା ବନ୍ଦ କରିଦେବା ଏବଂ ଗ୍ରାମ୍ୟ ପାଠାଗାରକୁ ବହି କିଣିବା ପାଇଁ ଅର୍ଥ ବନ୍ଦ କରିଦେବା ଫଳରେ ବର୍ଦ୍ଧିତମୂଲ୍ୟରେ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ପାଠକ ବହି କିଣି ପଢ଼ିବାକୁ ସମର୍ଥ ହେଉନାହିଁ ।”


 

“ଓଡ଼ିଶାରେ ଓଡ଼ିଆ ବହି ପ୍ରକାଶନରେ ଯେଉଁ ସଙ୍କଟ, ବଙ୍ଗଳାରେ ମଧ୍ୟ ବଙ୍ଗଳା ବହି ପ୍ରକାଶନ ଅନୁରୂପ ସଙ୍କଟରେ ସମ୍ମୁଖୀନ । ବଙ୍ଗଳାଭାଷାରେ ସୁଲଭ ମୂଲ୍ୟରେ ସାହିତ୍ୟ ପୁସ୍ତକ ପ୍ରକାଶନ ପାଇଁ ବଙ୍ଗଳା ଭାଷାରେ ସର୍ବାଧିକ ପ୍ରସାରିତ ଦୈନିକ ସମ୍ୱାଦପତ୍ର ‘ଆନନ୍ଦ ବଜାର ପତ୍ରିକା’ ପ୍ରତିଷ୍ଠା କରିଛି ‘ଆନନ୍ଦ ପବ୍ଳିଶର୍ସ’ । ସତ୍ୟଜିତ ରାୟଙ୍କଠାରୁ ଆରମ୍ଭ କରି ସୁନୀଲ ଗଙ୍ଗୋପାଧ୍ୟୟଙ୍କ ପର୍ଯ୍ୟନ୍ତ ଶରତ ଚନ୍ଦ୍ରଙ୍କଠାରୁ ଆରମ୍ଭ କରି ସୁକୁମାର ସେନଙ୍କ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ସଂକଳନ, ପ୍ରତି ସଂସ୍କରଣରେ ପାଞ୍ଚ ହଜାରରୁ ପଚ଼ାଶ ହଜାର କପି ଛାପିବା ଫଳରେ ସୁଲଭ ମୂଲ୍ୟରେ ବଙ୍ଗଳା ବହି ବଙ୍ଗ ଓ ବାଂଲାଦେଶ ପାଠକମାନଙ୍କ ପାଖରେ ପହଞ୍ଚାଯାଇ ପାରୁଛି । ‘ଆନନ୍ଦ ବଜାର ପତ୍ରିକା’ ଏବଂ ପାକ୍ଷିକ ‘ଦେଶ’ ପତ୍ରିକାରେ ପୁସ୍ତକର ବିଜ୍ଞାପନଦ୍ୱାରା ପୁସ୍ତକର ପ୍ରଚ଼ାର ସହଜ ହୋଇଯାଉଛି ।”


 

ଓଡ଼ିଆ ପ୍ରକାଶନ ଶିଳ୍ପ ସହ ସଂପୃକ୍ତ ଡ଼କ୍ଟର ପଟ୍ଟନାୟକଙ୍କ ଉଦ୍ଧୃତିଗୁଡ଼ିକୁ ଅନୁଶୀଳନ କଲେ ପାଞ୍ଚ ଗୋଟି ନିଷ୍କର୍ଷରେ ଆମେ ଉପନୀତ ହେବା: (୧) ପୁସ୍ତକ ପ୍ରକାଶନ ବ୍ୟୟବହୁଳ ହେବା ଯାଗୁଁ ଓଡିଆ ପ୍ରକାଶନ ଶିଳ୍ପ ସଂକୁଚିତ ହୋଇଛି, (୨) ନୂତନ ଲେଖକମାନେ ଆତ୍ମପ୍ରକାଶନକେନ୍ଦ୍ରୀକ ପରିଧିରେ ଆବଦ୍ଧ ହୋଇପଡୁଥିବାହେତୁ ପୁସ୍ତକ ବଜାରର ଅଧଃପତନ ଘଟୁଛି (୩) ଚ଼ାଉଳ, ସ୍କୁଲପିଲାଙ୍କ ପୋଷାକଠାରୁ ଆରମ୍ଭକରି ଶବଦାହ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ସରକାରୀ ସାହାଯ୍ୟ ମିଳୁଥିବାବେଳେ ସରକାରୀ ଅର୍ଥରେ ପୁସ୍ତକକ୍ରୟ ବନ୍ଦ ହୋଇଯିବା ପ୍ରକାଶନ ଶିଳ୍ପରେ ମନ୍ଦାବସ୍ଥାକୁ ଉତ୍କଟ କରୁଛି, (୪) ଇଂଲିଶ ପୁସ୍ତକ ବଜାରରେ ବିଷୟବିନ୍ୟାସରେ ବିବିଧତା ତଥା ହାତପାଆନ୍ତାରେ ଉପଲବ୍ଧତା ପାଠକଗୋଷ୍ଠୀଙ୍କୁ ଓଡ଼ିଆରୁ ଦୂରେଇ ନେଉଛି ଏବଂ (୫) ‘ସମ୍ୱାଦ’ ଓ ‘ସମାଜ’ ଭଳି ସମ୍ୱାଦପତ୍ର ପ୍ରକାଶନ ସଂସ୍ଥା ସୁଲଭମୂଲ୍ୟରେ ଭିନ୍ନଭିନ୍ନ ବିଷୟରେ ପୁସ୍ତକ ପ୍ରକାଶନ ଓ ବିତରଣରେ ମନୋନିବେଶ କଲେ ସ୍ଥିତାବସ୍ଥାରେ ଉନ୍ନତି ସମ୍ଭବପର ।


 

ଓଡ଼ିଆ ସାହିତ୍ୟ ମୁଦ୍ରିତ ପୁସ୍ତକ ପ୍ରକାଶନ ଶିଳ୍ପର ପୁନରୁଦ୍ଧାର ଲାଗି ଡ଼କ୍ଟର ପଟ୍ଟନାୟକଙ୍କ ଦୃଷ୍ଟିକୋଣ ଯୁକ୍ତିଯୁକ୍ତ ମନେହୁଏ । ତେବେ ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱବ୍ୟାପୀ କମ୍ପ୍ୟୁଟରଭିତ୍ତିକ ଇ-ବୁକର ପ୍ରସାର ଅବସରରେ ଓଡ଼ିଆ ଭଳି ସୀମିତ ପାଠକ ସମୃଦ୍ଧ ଭାଷାରେ ପୁସ୍ତକ ପ୍ରକାଶନ, ବିତରଣ ଓ ପଠନ ନିମନ୍ତେ ଇ-ବୁକ ବିକଳ୍ପ ସମାଧାନ ଆଣି ଦେଇପାରେ ବୋଲି ବିଚ଼ାର କରିବା ଅସମଚ଼ୀନ ନୁହେଁ । ଇଣ୍ଟରନେଟ କନେକ୍ଟିଭିଟି ଓ ସ୍ମାର୍ଟଫୋନ ବ୍ୟବହାର ପ୍ରସାର ତଥା ଉପଭୋକ୍ତାମାନେ ଦୈନିକ ୩ ରୁ ୪ ଘଣ୍ଟାଧରି ଫୋନ ପରଦାରେ ଦୃଷ୍ଟି ଆବଦ୍ଧ ରହୁଥିବା ଅବସରରେ ସେଥିରେ ସାହିତ୍ୟ ପୁସ୍ତକ ପଠନ ଲୋକପ୍ରିୟ ହୋଇପାରିବ କି ସମୟ କହିବ ।


 

ଡ଼କ୍ଟର ପଟ୍ଟନାୟକଙ୍କ ଦ୍ୱାରା ଆଲୋଚ଼ିତ ବଙ୍ଗଳା ‘ଆନନ୍ଦ ବଜାର ପତ୍ରିକା’ର ପ୍ରକାଶକ ଅଭୀକ ସରକାରଙ୍କ କନ୍ୟା ଚ଼ିକୁ ସରକାର ୨୦୧୬ରୁ ‘ଜାଗୁଆର’ ନାମକ ଏକ ଇ-ବୁକ ପ୍ରକାଶନ ସଂସ୍ଥା ଆରମ୍ଭ କରିଛନ୍ତି । ଏଥିରେ ମୁଖ୍ୟତଃ ଇଂଲିଶ ପୁସ୍ତକ ପ୍ରକାଶିତ ହୋଇଥାଏ । ସମସାମୟିକ ଘଟଣାକ୍ରମ ସଂପର୍କୀତ ନନ୍-ଫିକସନ ସାଙ୍ଗକୁ ଫିକସନ ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ । ତେବେ ଏଯାଏଁ ‘ଜାଗୁଆର’ର ଆପ-ଭିତ୍ତିକ ଇ-ବୁକ ପାଠକ ମହଲରେ ଲୋକପ୍ରିୟ ହୋଇପାରି ନାହିଁ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଇ-ବୁକ ପ୍ରକାଶନ ପ୍ରସ୍ତାବ ଅନ୍ତତଃ ବର୍ତ୍ତମାନ ପାଇଁ ସମୟଉପଯୋଗୀ ମନେ ହୋଇ ନପାରେ ।


 

ମୁଦ୍ରିତ ପୁସ୍ତକ ସ୍ଥାନରେ ଆନ୍ତର୍ଜାତିକସ୍ତରରେ କେତେକ ବିକଶିତ ବଜାରରେ ଅର୍ଡର-ଟୁ-ପ୍ରିଣ୍ଟ ପଦ୍ଧତି ମଧ୍ୟ ପ୍ରଚଳିତ ହେଉଥିବା ଦେଖିବାକୁ ମିଳେ । ତେବେ ଏହି ଡ଼ିଜିଟାଲ କାରିଗରୀ କୌଶଳ ଉପଯୋଗରେ ପ୍ରସ୍ତୁତ ପୁସ୍ତକର ମୂଲ୍ୟ ଅଧିକ ହୋଇଥାଏ । ପୁସ୍ତକର ପାଠ୍ୟ ଓ ପ୍ରଚ୍ଛଦ ଡ଼ିଜିଟାଲ ରୂପରେ ଗଚ୍ଛିତ ରହିଥାଏ ଏବଂ ଗ୍ରାହକଙ୍କ ବରାଦ ଅନୁଯାୟୀ ଖଣ୍ଡିଏ ପୁସ୍ତକ ଦୁଇଘଣ୍ଟା ମଧ୍ୟରେ ମୁଦ୍ରଣ ଓ ବନ୍ଧେଇ କରାଯାଇପାରେ । ତେବେ ଆମଦେଶରେ ଅର୍ଡ଼ର-ଟୁ-ପ୍ରିଣ୍ଟ ‘ପୋଥି’ ଭଳି ସଂସ୍ଥାଦ୍ୱାରା ୨୦୦ ପୃଷ୍ଠାର ପୁସ୍ତକ ପିଛା ପ୍ରାୟ ୨୫୦ ଟଙ୍କା ଖର୍ଚ୍ଚ ଅଟକଳ କରାଯାଉଥିବା ହେତୁ ଓଡ଼ିଆ ସାହିତ୍ୟ ପୁସ୍ତକ ନିମନ୍ତେ ଏହାକୁ ସୁଲଭ ମୂଲ୍ୟରୂପେ ବର୍ଗୀକୃତ କରାଯାଇ ନପାରେ ।


 

ଡ଼କ୍ଟର ପଟ୍ଟନାୟକଙ୍କ ବର୍ଣ୍ଣିତ କୌଣସି ପ୍ରତିଷ୍ଠିତ ସମ୍ୱାଦପତ୍ର ସଂସ୍ଥା, କେବଳ ‘ସମ୍ୱାଦ’ ବା ‘ସମାଜ’ କାହିଁକି ‘ସର୍ବସାଧାରଣ’ ବା ‘ନିତିଦିନ’ ଦ୍ୱାରା ମଧ୍ୟ ନିଉଜପ୍ରିଣ୍ଟ କାଗଜରେ କଲର ହାର୍ଡ଼କଭର ସହ ପେରଫେକ୍ଟ ବାଇଣ୍ଡିଂରେ ଯଦି ୨୦୦ ପୃଷ୍ଠାର ପୁସ୍ତକ ୧୦୦ ଟଙ୍କାରେ ପାଠକ ହାତପାଆନ୍ତାରେ ପହୁଞ୍ଚାଇଦେବା ବ୍ୟବସ୍ଥା ବ୍ୟାବସାୟୀକଭିତ୍ତିରେ ଇଣ୍ଟରନେଟ ମଞ୍ଚରେ ଇ-କମର୍ସ ଷ୍ଟାର୍ଟଅପ ଭାବେ ଆରମ୍ଭ କରାଯାଇପାରେ ତେବେ ଓଡ଼ିଆ ସାହିତ୍ୟ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ପୁନର୍ଜାଗରଣ ସମ୍ଭବପର ବୋଲି କୁହାଯାଇପାରେ ।                


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୯ ସେପ୍ଟେମ୍ୱର ୨୦୧୭


ତଥ୍ୟ:


 

http://www.sambadepaper.com/Detais.aspx?id=388114&boxid=322533

ମୁଦ୍ରିତ ଓଡ଼ିଆ ପୁସ୍ତକ ଅନ- ଲାଇନ ବ୍ୟବସାୟ

ମୁଦ୍ରିତ ଓଡ଼ିଆ ପୁସ୍ତକ ଅନ-ଲାଇନ ବ୍ୟବସାୟ ନିମନ୍ତେ ୨୦୧୮ ଶେଷ ସୁଦ୍ଧା ବ୍ୟାପକ ସୁବିଧାସୁଯୋଗ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇପାରେ । ଭାରତରେ ଇ-କମର୍ସ କ୍ରମଶଃ ଜୋର ଧରୁଥିବା ତଥା ଛୋଟ ସହର ଓ ଗ୍ରାମାଞ୍ଚଳରେ ଲୋକପ୍ରିୟତା ହାସଲ କରୁଥିବା ପ୍ରେକ୍ଷାପଟ୍ଟ ଓଡ଼ିଶାରେ ମଧ୍ୟ ପ୍ରତିବିମ୍ୱିତ ହେବାରେ ଲାଗିଛି । ଫଳତଃ ଅନ୍ୟାନ୍ୟ ମନୋହରି ସାମଗ୍ରୀ ସହ ମୁଦ୍ରିତ ଓଡ଼ିଆ ପୁସ୍ତକ ବିକ୍ରିବଟା ପାଇଁ ବିକଳ୍ପ ରାସ୍ତା ଉନ୍ମୁକ୍ତ ହୋଇପାରିଛି ।


 

ଆଧୁନିକ ଓଡ଼ିଆ ସାମାଜିକ ଜୀବନ ମୁଦ୍ରିତ ପୁସ୍ତକ ପ୍ରକାଶନକୁ କେନ୍ଦ୍ରକରି ଗଢ଼ି ଉଠିଥିଲେ ହେଁ ଦେଢ଼ ଶହ ବର୍ଷ ଧରି ଓଡ଼ିଆ ପୁସ୍ତକ ପ୍ରକାଶନ ବ୍ୟବସାୟ ପଡ଼ୋଶୀ ଭାଷାଗୁଡ଼ିକ ତୁଳନାରେ ପଛରେ ପଡ଼ିରହିଛି । ଊନବିଂଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧରେ ନଅଙ୍କ ଦୁର୍ଭିକ୍ଷରେ ଏକ ତୃତୀୟାଂଶ ଓଡ଼ିଆ ଭାଷାଭାଷୀ ଅକାଳ ମୃତ୍ୟୁମୁଖରେ ପଡ଼ିବାପରେ ଇଂଲିଶ ପ୍ରଶାସନ ଶିକ୍ଷାର ପ୍ରସାର ନିମନ୍ତେ ବିଦ୍ୟାଳୟ ସ୍ଥାପନ ଆରମ୍ଭ କରିଥିଲେ । ସେହି ଅବସରରେ ମୁଦ୍ରିତ ଓଡ଼ିଆ ପୁସ୍ତକ ପ୍ରକାଶନ ଶିଳ୍ପର ଅୟମାରମ୍ଭ ଘଟିଥିଲା ।


 

ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ନବସ୍ଥାପିତ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ ଅଣ-ଓଡ଼ିଆ ଶିକ୍ଷକମାନେ ମୁଦ୍ରିତ ଓଡ଼ିଆ ପାଠ୍ୟପୁସ୍ତକ ଅଭାବକୁ କେନ୍ଦ୍ରରି ପଡ଼ୋଶୀ ଭାଷାଗୁଡ଼ିକରେ ଶିକ୍ଷାଦାନ ନିମନ୍ତେ ପ୍ରସ୍ତାବ ରଖିଥିଲେ । ଏହି ବିପଦର ମୁକାବିଲା କରିବା ନିମନ୍ତେ କେତେକ ପ୍ରାତଃସ୍ମରଣୀୟ ପ୍ରତିଭା ଓଡ଼ିଶାରେ ପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶନରେମନୋନିବେଶକରି ସମ୍ଭବ୍ୟ ବିପଦକୁ ଏଡ଼ାଇଥିଲେ । ସେମାନଙ୍କ ଅବଦାନରୁ ହିଁ ଏକବିଂଶ ଶତାଦ୍ଦୀରେ ସାମାଜିକ, ରାଜନୀତିକ, ଅର୍ଥନୀତିକ ତଥା ସାଂସ୍କୃତିକ କ୍ଷେତ୍ରରେ ଓଡ଼ିଶାବାସୀ ସ୍ୱତନ୍ତ୍ରତା ଜାହିର କରିପାରୁଛନ୍ତି ।


 

ମୁଦ୍ରିତ-ଓଡ଼ିଆ ପାଠ୍ୟପୁସ୍ତକ ଅଭାବରେ ସୃଷ୍ଟ ‘ଓଡ଼ିଆ ବିଲୋପ ଆନ୍ଦୋଳନ’ ବିରୋଧରେ ଓଡ଼ିଆ ଭାଷାଭାଷୀଙ୍କ ଏକତ୍ରୀକରଣ ତଥା ସ୍ୱତନ୍ତ୍ର ରାଜ୍ୟ ଗଠନ ଲାଗି ପ୍ରଚ଼େଷ୍ଟା ଆରମ୍ଭ ହୋଇଥିଲା । ତେବେ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାପରେ ଓଡ଼ିଆ ଭାଷାର ପ୍ରଚ଼ାର ପ୍ରସାର ତଥା ପୁସ୍ତକ ପ୍ରକାଶନ ଶିଳ୍ପକୁ ସୁଦୃଢ଼ କରିବା ନିମନ୍ତେ ବିଧିବଦ୍ଧ ଉଦ୍ୟମର ଅଭାବ ଲାଗି ରହିଲା । ସ୍ୱାଧୀନୋତ୍ତର ଅବସ୍ଥାରେ ରାଜ୍ୟରେ ବହୁ ସଂଖ୍ୟକ ବିଦ୍ୟାଳୟ ସ୍ଥାପନ ଅବସରରେ ପାଠ୍ୟପୁସ୍ତକର ଚ଼ାହିଦା ପୂରଣ କରିବା ନିମନ୍ତେ କିଛି କାଳ ପ୍ରକାଶନ ଶିଳ୍ପରେ ଘରୋଇ ଉଦ୍ୟୋଗ ତତ୍ପର ହୋଇଥିଲା । ତେବେ ଷଷ୍ଠ ଦଶକ ମଧ୍ୟଭାଗରୁ ପର୍ଯ୍ୟାୟକ୍ରମେ ପ୍ରାଥମିକ ଓ ମାଧ୍ୟମିକସ୍ତରର ପାଠ୍ୟପୁସ୍ତକ ପ୍ରକାଶନଭାର ସରକାର ଗ୍ରହଣ କରିବାପରେ ଓଡ଼ିଆ ମୁଦ୍ରିତ ପୁସ୍ତକ ପ୍ରକାଶନ ଶିଳ୍ପରେ ମାନ୍ଦା ଅବସ୍ଥା ସୃଷ୍ଟି ହେଲା ଏବଂ ବର୍ତ୍ତମାନ ଯାଏଁ ବଳବତ୍ତର ରହିଛି ।


 

ମୁଦ୍ରିତ ଓଡ଼ିଆ ପୁସ୍ତକ ପ୍ରସାରଣ ସଂଖ୍ୟା କମ । ଅନ୍ୟାନ୍ୟ କାରଣ ମଧ୍ୟରେ ପୁସ୍ତକ ବିକ୍ରୟ ନିମନ୍ତେ ଉପଯୁକ୍ତ ପରିବେଶ ଓ ଦୋକାନ ଅଭାବ ଅନ୍ୟତମ । ଓଡ଼ିଶା ଗ୍ରାମବହୁଳ ହୋଇଥିବା ସ୍ଥଳେ ଗ୍ରାମାଞ୍ଚଳରେ ପୁସ୍ତକ ଦୋକାନ ଦୁର୍ଲଭ । ସହରାଞ୍ଚଳରେ ସାଧାରଣତଃ ପାଠ୍ୟପୁସ୍ତକ ଓ ପାଠ୍ୟ ଉପକରଣ ଦୋକାନ ଗୁଡ଼ିକରେ ପୁସ୍ତକ ବିକ୍ରୀ ହେଉଥିବା ହେତୁ ଆଗ୍ରହୀ କ୍ରେତା ରୁଚ଼ି ଅନୁଯାୟୀ ପୁସ୍ତକ ନିର୍ବାଚ଼ନର ସୁଯୋଗ ପାଇପାରେ ନାହିଁ । ଖଣ୍ଡିଏ ପୁସ୍ତକ କିଣିବା ନିମନ୍ତେ ଆଗରୁ ସ୍ଥିରକରି ଆସିଥିଲେ ହେଁ ଦୋକାନରୁ ପୁସ୍ତକଖଣ୍ଡେ କିଣି ହୁଏ ।


 

ଗତ ଶତାଦ୍ଦୀର ଅଷ୍ଟମ ଦଶକରୁ ତିନି ଦଶନ୍ଧିଧରି ରାଜ୍ୟରେ ପୁସ୍ତକ ମେଳା ଆୟୋଜନ ମୁଦ୍ରିତ ଓଡ଼ିଆ ପୁସ୍ତକ ବିକ୍ରିବଟା ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟିରେ ସମର୍ଥ ହୋଇଛି । ତେବେ ପୁସ୍ତକ ମେଳା ସୀମିତ ଅଞ୍ଚଳରେ ଆୟୋଜିତ ହେଉଥିବା ହେତୁ ଏହାର ପ୍ରଭାବ ମଧ୍ୟ ସୀମିତ । ପୁନଶ୍ଚ ଏଗୁଡ଼ିକ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ଦ୍ୱାରା ସଂଗଠିତ ହେଉଥିବା କାରଣରୁ ଅନେକ କ୍ଷେତ୍ରରେ ଅନିୟମିତ ଓ କ୍ଷଣସ୍ଥାୟୀ ।


 

ଉପଭୋକ୍ତା କୌଣସି ଜିନିଷ ଖରିଦ କରିବା ଅବସରରେ ଉପଲବ୍ଧ ସାମଗ୍ରୀ ମଧ୍ୟରୁ ନିଜ ମନପସନ୍ଦର ଚିଜଟିଏ ଖୋଜିବାହାର କରିବା ତଥା ନିର୍ବାଚ଼ିତ ପଦର୍ଥଟିକୁ ତନ୍ନ ତନ୍ନ କରି ପରୀକ୍ଷା କରିବା ସ୍ୱାଭାବିକ । ମୁଦ୍ରିତ ପୁସ୍ତକ କ୍ଷେତ୍ରରେ ବଡ଼ ସହରଗୁଡ଼ିକରେ ବ୍ୟବସାୟରତ ପୁସ୍ତକ ବିପ୍ପଣୀ କିମ୍ୱା ଏଠାକାର ପୁସ୍ତକ ମେଳାଗୁଡ଼ିକ ସେଭଳି ସୁଯୋଗ ସୃଷ୍ଟି କରିଥାନ୍ତି । ତେବେ ଏହି ଦୁଇ ଶ୍ରେଣୀର ସୁବିଧା ଅଭାବକୁ ପୂରଣ କରିବା ନିମନ୍ତେ ଅନ୍-ଲାଇନ ପୁସ୍ତକ ବ୍ୟବସାୟ ସୁଯୋଗ ସୃଷ୍ଟି କରିଛି ।


 

ବିଶ୍ୱବ୍ୟାପୀ ମୁଦ୍ରିତ ପୁସ୍ତକ ବିକ୍ରୀ ଅନ୍-ଲାଇନ ଧାରାକୁ ପ୍ରବର୍ତ୍ତିତ ହେବାରେ ଲାଗିଛି। ଆମ ଦେଶରେ ଅନ-ଲାଇନ ବ୍ୟବସାୟରେ ଅଗ୍ରଣୀ ଫ୍ଳିପକାର୍ଟ ମୁଖ୍ୟତଃ ଏକ ପୁସ୍ତକ ବିକ୍ରେତା ରୂପେ କାରବାର ଆରମ୍ଭ କରିଥିଲା । ଅନ୍ୟତମ ପ୍ରତିଦ୍ୱନ୍ଦୀ ଆନ୍ତର୍ଜାତିକ ଆମେଜନ ମଧ୍ୟ ପୁସ୍ତକ ବିକ୍ରୀକୁ ମୂଳରୁ ପ୍ରାଧାନ୍ୟ ଦେଇ ଆସିଛି । ଓଡ଼ିଶାରେ ଇଣ୍ଟରନେଟ ସଂଯୁକ୍ତି ଓ ବ୍ୟବହାର କ୍ରମଶଃ ବୃଦ୍ଧି ପାଇ ଚ଼ାଲିଛି । ଏହି ସୁଯୋଗ ସୁବିଧାକୁ ପୁଞ୍ଜିକରି ଜାତୀୟସ୍ତରର ଅନ୍-ଲାଇନ ବ୍ୟବସାୟୀମାନେ ରାଜ୍ୟରେ କାରବାରଲାଗି ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ।


 

ଉଦାହରଣରେ ଆମେଜନ ପକ୍ଷରୁ ୨୦୧୮ ଶେଷ ଭାଗରେ ଓଡ଼ିଶାରୁ ୨,୩୦୦ ସ୍ଥାନୀୟ ବିକ୍ରେତାଙ୍କୁ ନିଜ ମଞ୍ଚରେ ସାମିଲ କରିପାରିଛି । ଏମାନେ ମୁଖ୍ୟତଃ ହସ୍ତଶିଳ୍ପ, ମନୋହରି ସାମଗ୍ରୀ, ଗୃହୋପକରଣ ଓ ମୋବାଇଲ ଫୋନ ବିକ୍ରେତା । ଗ୍ରାହକଙ୍କ ନିକଟରେ କ୍ରୟ ସାମଗ୍ରୀ ଯୋଗାଣ ନିମନ୍ତେ ରାଜ୍ୟରେ ପୂର୍ବରୁ ୧୦ ଗୋଟି କେନ୍ଦ୍ର ‘ହବ’ ଥିବାବେଳେ ତାହାକୁ ୨୦କୁ ବୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେ କେତେକ ମୁଦ୍ରିତ ଓଡ଼ିଆ ପୁସ୍ତକ ପ୍ରକାଶକ ଓ ବିକ୍ରେତା ମଧ୍ୟ ଆମେଜନ ମଞ୍ଚରେ ଉପସ୍ଥିତ ଥିବା ଆନନ୍ଦର ବିଷୟ ।


 

ମୁଦ୍ରିତ ଓଡ଼ିଆ ପୁସ୍ତକ ବିକ୍ରୀ ଅନ-ଲାଇନ ବ୍ୟବସାୟରେ ସଫଳତା ହାସଲ କରିବା ନିମନ୍ତେ ପୁସ୍ତକ ପ୍ରଯୋଜନାରେ କେତେଗୋଟି ପରିବର୍ତ୍ତନ ପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ । ପ୍ରଥମତଃ ଏହି ନୂତନ ବ୍ୟାବସାୟିକ ପରିବେଶ ବହୁଳ ସଂଖ୍ୟକ ବିକ୍ରୀ ଆଧାରିତ ହୋଇଥିବା ହେତୁ ସଂଖ୍ୟାଧିକ ଓଡ଼ିଆ ପାଠକ କିଭଳି ପୁସ୍ତକ ପଠନ ପ୍ରତି ଆଗ୍ରହୀ ହେବେ ସେଭଳି ବିଷୟ ନିର୍ବାଚ଼ନ ନିମନ୍ତେ ଲେଖକ ଓ ପ୍ରକାଶକମାନେ ଯତ୍ନଶୀଳ ହେବା ଉଚ଼ିତ ।ଉଦାହରଣରେ ଓଡ଼ିଶାର ଅନ୍ୟତମ ଦୀର୍ଘକାଳ ପଦାସୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ସଂପର୍କରେ ରାଜ୍ୟବାସୀ ଉତ୍ସୁକତା ପ୍ରକାଶ କରିବା ସ୍ୱାଭାବିକ । ତେବେ ଦୁଇ ଦଶନ୍ଧିଧରି ତାଙ୍କରି ସଂପର୍କରେ ଆମେ ପୁସ୍ତକଟିଏ ପ୍ରସ୍ତୁତ କରିପାରିଲୁ ନାହିଁ । ଜଣେ ଅଣଓଡ଼ିଆ ଇଂଲିଶ ଭାଷାରେ ପ୍ରଥମ ପୁସ୍ତକ ଲେଖିଲେ ।ନିକଟ ଅତୀତରେ ତାହା ଓଡ଼ିଆମାନଙ୍କ ମଧ୍ୟରେ ସର୍ବାଧିକ ପଠିତ ପୁସ୍ତକ ।ପାଠକୀୟ ଆଗ୍ରହକୁ ଆମେ ହତାଦର କରୁଥିବା ଉପରୋକ୍ତଘଟଣାରୁ ସୁସ୍ୱଷ୍ଟ ।


 

ଏଭଳି ଆଲୋଚ଼ନା ଆରମ୍ଭ ହେଉ ହେଉ କେତେକ ପ୍ରତିବାଦ କରିବେ ପାଠକୀୟରୁଚି ଅନୁଯାୟୀ ବିଷୟ ନିର୍ବାଚ଼ନଦ୍ୱାରା ସର୍ଜନଶୀଳତା ବାଧାପ୍ରାପ୍ତ ହେବ । ଠିକ କଥା । ଯେଉଁମାନେ ସର୍ଜନଶୀଳ ସେମାନେ ମୌଳିକ ରଚ଼ନାରେ ମନୋନିବେଶ କରନ୍ତୁ । କିନ୍ତୁ ଓଡ଼ିଆ ପୁସ୍ତକ ପ୍ରକାଶନକୁ ବ୍ୟାପକ କରିବା ତଥା ଅଧିକ ସଂଖ୍ୟକ ପାଠକ ସୃଷ୍ଟି କରିବାରେ କୌଣସି ଉଦ୍ୟମ କ’ଣ ତାଙ୍କରି ସର୍ଜନଶୀଳତାରେ ଅନ୍ତରାୟ ସୃଷ୍ଟି କରିବ କି ? ପରୋକ୍ଷରେ ଅଧିକ ସାଧାରଣ ପାଠକ ସୃଷ୍ଟି ହେଲେ ସେମାନେ ଉଚ୍ଚାଙ୍ଗ ସାହିତ୍ୟପ୍ରତି ଆଗ୍ରହୀ ହେବା ସମ୍ଭାବନା ରହିଛି ।


 

ଦ୍ୱିତୀୟତଃ ପାରମ୍ପରିକଭାବେ ଗତ ଶତାଦ୍ଦୀର ଷଷ୍ଠ ଦଶକରୁ ଓଡ଼ିଆ ପୁସ୍ତକଟିଏ ପ୍ରକାଶନ କାଳରେ ପାଠାଗାର ନିମନ୍ତେ ପାଇକାରୀ ବିକ୍ରୀ ‘ବଲକ ସେଲ’ ପ୍ରତି ଧ୍ୟାନ ଦିଆଯାଇ ଚ଼ଢ଼ା ମୂଲ୍ୟ ନିର୍ଦ୍ଧାରିତ ହୋଇଆସିଛି । କାରଣ ଖୁଚୁରା ବିକ୍ରୀ ‘ରିଟେଲ ସେଲ’ ନିମନ୍ତେ ଭିତ୍ତିଭୂମିର ଅଭାବ ରହି ଆସିଥିଲା । ତେବେ ବର୍ତ୍ତମାନ ଅନ-ଲାଇନରେ ମୁଦ୍ରିତ ପୁସ୍ତକ ସାଧାରଣ ପାଠକଙ୍କ ମଧ୍ୟରେ ବିକ୍ରୀ ନିମନ୍ତେ ଖୁଚୁରା ଉପଯୋଗୀ ମୂଲ୍ୟରେ ଉପଲବ୍ଧ ହେବା ଆବଶ୍ୟକ । ଉଦାହରଣରେ ୧୮୦ ରୁ ୨୨୦ ପୃଷ୍ଠାର ମଲାଟ ବନ୍ଧେଇ ‘ପେପରବ୍ୟାକ’ ୧୦୦ ଟଙ୍କା ନିର୍ଦ୍ଧାରିତ ହେଲେ ବ୍ୟବସାୟ ଉପଯୋଗୀ ହେବା ବିଚ଼ାର କରାଯାଇପାରେ ।


 

ତୃତୀୟତଃ ଓଡ଼ିଆ ପୁସ୍ତକ ପ୍ରକାଶନ ଅବସରରେ ସେଗୁଡ଼ିକର ପ୍ରଚ଼ାର ନିମନ୍ତେ ଉଦ୍ୟମର ଅଭାବ ଅନୁଭୂତ ହୁଏ ।ଓଡ଼ିଆରେ ଏତେ ଦୈନିକ ସମ୍ୱାଦପତ୍ର, ଏତେ ଟେଲିଭିଜନ ଚ଼୍ୟାନେଲ ଓ ଏତେ ସୋସିଆଲ ମିଡ଼ିଆ ଉପଭୋକ୍ତା ଉପଲବ୍ଧ ।ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାଠ୍ୟ ‘କଣ୍ଟେଣ୍ଟ’ ଅଭାବ ।ଏହାର ସୁଯୋଗ ନେଇ ପ୍ରତ୍ୟେକ ପ୍ରକାଶିତ ପୁସ୍ତକ ସଂପର୍କରେ ଉଭୟ ଲେଖକ ଓ ପ୍ରକାଶକଙ୍କ ଉଦ୍ୟମରେ ପୁସ୍ତକର ବିଷୟବସ୍ତୁ ଓ ଉଦ୍ଧୃତାଂଶ ‘ଏକ୍ସଟ୍ରାଷ୍ଟସ’ ତଥା ସମୀକ୍ଷା ପ୍ରଚ଼ାରିତ ହେଲେ ପୁସ୍ତକଗୁଡ଼ିକ ପାଠକ ତଥା ଖରିଦଦାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବ । ଅବଶ୍ୟ ଏଭଳି ପ୍ରଚ଼ାର ଉପଯୋଗ ନିମନ୍ତେ ପୁସ୍ତକର ବିଷୟବସ୍ତୁ ସମସାମୟିକ ପାଠକୀୟ ଆଗ୍ରହକୁ ଚ଼ରିତାର୍ଥ କରୁଥିବା ବିଧେୟ । ଜାତୀୟସ୍ତରରେ ପୁସ୍ତକ ପ୍ରକାଶନ କାଳରେ ପ୍ରଚ଼ାର ପାଇଁ ଭିଡ଼ିଓ ଟ୍ରେଲର ପ୍ରସାରଣ ଧାରା ଆରମ୍ଭ ହୋଇସାରିଥିବାସ୍ଥଳେ ରାଜ୍ୟରେ ପୁସ୍ତକ ଉନ୍ମୋଚ଼ନ ସଭାଟିଏ କରି ଦୈନିକ ସମ୍ୱାଦପତ୍ରରେ ଦୁଇଧାଡ଼ି ଛାପି ଚୁପ ବସିଯିବା ଯୁଗ ସରିଆସିଲାଣି ।


 

ମୋଟ ଉପରେ ଓଡ଼ିଆ ମୁଦ୍ରିତ ପୁସ୍ତକ ବିକ୍ରୀ ନିମନ୍ତେ ଉପଲବ୍ଧ ପରିବର୍ତ୍ତିତ ପରିବେଶର ଭରପୁର ସୁବିଧାସୁଯୋଗ ଗ୍ରହଣ ଲାଗି ସାହିତ୍ୟ ଅନୁରାଗୀ ମହଲରେ ବ୍ୟାପକ ବିଚ଼ାରବିମର୍ଷ ପ୍ରକୃଷ୍ଟ ବାତାବରଣ ସୃଷ୍ଟିରେ ସହାୟକ ହୋଇପାରିବା ଆଶା କରାଯାଇପାରେ ।                 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅକ୍ଟୋବର ୨୦୧୮


ତଥ୍ୟ:


 

ଓଡ଼ିଶାରେ ଆମେଜନର ନେଟୱାର୍କ ସଂପ୍ରସାରଣ I ପ୍ରମେୟ (ବ୍ରହ୍ମପୁର ସଂସ୍କରଣ) I ୦୨ ଅକ୍ଟୋବର ୨୦୧୮