ଆଇନ

ଡ଼ିଜିଟାଲ ଗଣମାଧ୍ୟମ ନିୟନ୍ତ୍ରଣ

ଭାରତରେ କେନ୍ଦ୍ର ସରକାରଙ୍କ ସୂଚ଼ନା ଓ ପ୍ରସାରଣ ମନ୍ତ୍ରଣାଳୟ ନିୟନ୍ତ୍ରଣକୁ ଡ଼ିଜିଟାଲ ଗଣମାଧ୍ୟମ ମଞ୍ଚଗୁଡ଼ିକ ଅଣାଯିବା ଲାଗି ଏକ ବିଜ୍ଞପ୍ତି ୧୦ ନଭେମ୍ୱର ୨୦୨୦ରେ ପ୍ରକାଶିତ ହୋଇଥିଲା । ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ସମ୍ବଳିତ ଏହି ଗେଜେଟ ନିର୍ଦ୍ଦେଶନାମା ଅନୁଯାୟୀ ମୁଖ୍ୟତଃ ଅନଲାଇନ ସମ୍ୱାଦ ମଞ୍ଚ ଏବଂ ନେଟଫ୍ଲିକ୍ସ, ଆମେଜନପ୍ରାଇମ, ଡିସନି-ହଟଷ୍ଟାର ଭଳି ଓଭର-ଦି-ଟପ‘ଓଟିଟି’ ମଞ୍ଚର ନିୟନ୍ତ୍ରଣ ଭାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ରହିବ । ଏଥି ପୂର୍ବରୁ ଅନଲାଇନ ସମ୍ୱାଦ ମଞ୍ଚଗୁଡ଼ିକ ସାଧାରଣ ଆଇନାବଳୀ ପରିସରଭୁକ୍ତ ହୋଇଥିବା ସ୍ଥଳେ ‘ଓଟିଟି’ ମଞ୍ଚ ଇଲେକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟ ତଦାରଖ କରୁଥିଲା । ଅନଲାଇନ ପରିବେଶ ନିୟନ୍ତ୍ରଣ ନିମନ୍ତେ ପ୍ରଣୀତ ଇନଫରମେସନ ଟେକନୋଲଜି ଆଇନ ୨୦୦୦ ମଧ୍ୟ ବଳବତ୍ତର ରହିଛି ।


 

ଭାରତର ମୁଦ୍ରଣ ଗଣମାଧ୍ୟମ ମଞ୍ଚଗୁଡ଼ିକର ନିୟନ୍ତ୍ରଣ ନିମନ୍ତେ ‘ପ୍ରେସ କାଉସିଲ ଅଫ ଇଣ୍ଡିଆ’, ଟେଲିଭିଜନ ସମ୍ୱାଦ ଚ୍ୟାନେଲଗୁଡ଼ିକ ନିମନ୍ତେ ‘ନିଉଜ ବ୍ରଡ଼କାଷ୍ଟରର୍ସ ଏସୋସିଏସନ’, ବିଜ୍ଞାପନ ସଂସ୍ଥାଗୁଡ଼ିକ ନିମନ୍ତେ ‘ଏଡ଼ଭାଟାଇଜିଂ ଷ୍ଟାଣ୍ଡାର୍ଡସ କାଉନସିଲ ଅଫ ଇଣ୍ଡିଆ’ ଏବଂ ଚଳଚ଼ିତ୍ର ଶିଳ୍ପ ନିମନ୍ତେ ‘ସେଣ୍ଟ୍ରାଲ ବୋର୍ଡ଼ ଅଫ ଫିଲ୍ମ ସାର୍ଟିଫିକେସନ’ କାର୍ଯ୍ୟକରି ଆସୁଛି । ତେବେ ଅନଲାଇନ ଗଣମାଧ୍ୟମ ନିମନ୍ତେ କୌଣସି ସ୍ୱତନ୍ତ୍ର ସଂସ୍ଥା ଗଠିତ ହୋଇନାହିଁ । ସରକାରଙ୍କ ପକ୍ଷରୁ ଏହି ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ନେଇ ପୂର୍ବରୁ ବିଭିନ୍ନ ସମୟରେ ସୂଚ଼ିତ ହୋଇ ଆସିଥିଲା ଏବଂ ଅନ-ଲାଇନ ଗଣମାଧ୍ୟମ ମଞ୍ଚଗୁଡ଼ିକର ନିୟନ୍ତ୍ରଣ ଭାର ସୂଚ଼ନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନକୁ ଯିବା ପରେ ଭବିଷ୍ୟତ କାର୍ଯ୍ୟାନୁଷ୍ଠାନ ଗ୍ରହଣଲାଗି ରାସ୍ତା ପ୍ରଶସ୍ତ ହୋଇଛି ।


 

ଟେଲିଭିଜନ ମଞ୍ଚ ଓ ବିଜ୍ଞାପନ ସଂସ୍ଥାଗୁଡ଼ିକ ପକ୍ଷରୁ ବୃତ୍ତିଗତସ୍ତରରେ ସ୍ୱାଧୀନ ନିୟାମକ ଗଠନ ଢ଼ାଞ୍ଚାରେ ଅନଲାଇନ ମଞ୍ଚଗୁଡ଼ିକ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ବିଭିନ୍ନସ୍ତରରେ ମତ ପ୍ରକାଶ ପାଇଆସିଛି । ଏପରିକି ଅକ୍ଟୋବର ୨୦୨୦ରେ ସୁପ୍ରିମକୋର୍ଟ ସ୍ୱାଧୀନ ନିୟାମକ ଗଠନ ସଂପର୍କୀତ ଏକ ଆବେଦନର ବିଚାର ଅବସରରେ କେନ୍ଦ୍ର ସରକାର ଏବଂ ଇଣ୍ଟେରନେଟ ଓ ମୋବାଇଲ ଏସୋସିଏସନ ଅଫ ଇଣ୍ଡିଆକୁ ଏଦିଗରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ବର୍ଣ୍ଣନା କରିବା ନିମନ୍ତେ ନୋଟିସ ଜାରୀ କରିଥିଲେ ।


 

ଇଣ୍ଡିଆନ ମୋବାଇଲ ଏସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ସେପ୍ଟେମ୍ୱର ୨୦୧୯ରେ ନେଟଫ୍ଳିକ୍ସ, ଆମେଜନ ପ୍ରାଇମ ଭିଡ଼ିଓ, ଡିସନି+ହଟଷ୍ଟାର, ଆଲଟ ବାଲାଜୀ ଓ ଜୀ ପ୍ରଭୃତି ଓଟିଟି ମଞ୍ଚ ପକ୍ଷରୁ କାର୍ଯ୍ୟକ୍ରମ ପ୍ରସାରଣ ଲାଗି ଏକ ଚିଠା ଆଚ଼ରଣବିଧି ପ୍ରସ୍ତୁତ କରାଯାଇ କେନ୍ଦ୍ର ସରକାରଙ୍କଠାରେ ଉପସ୍ଥାପନ କରାଯାଇଥିଲା । ତେବେ ସରକାରଙ୍କ ପକ୍ଷରୁ ତାହା ଗୃହୀତ ହୋଇନଥିଲା । ବିଶେଷଜ୍ଞମାନଙ୍କ ମତରେ ସରକାର ଅଧିକ କଠୋର ନୀତି ପ୍ରଣୟନ ତଥା ଡିଜିଟାଲ ମଞ୍ଚଗୁଡ଼ିକରେ କ’ଣସବୁ ଗ୍ରହଣୀୟ ଓ କ’ଣ ସବୁ ବର୍ଜନୀୟ ସୂଚ଼ିତ କରିବା ସଙ୍ଗେ ଏକ ଅଭିଯୋଗ ସମାଧାନକାରୀ ସଂସ୍ଥା ଗଠନ ସଂପର୍କରେ ଆଗ୍ରହୀ ।


 

ଆଠଗୋଟି ଓଟିଟି ମଞ୍ଚ ପକ୍ଷରୁ ପ୍ରସ୍ତୁତ ଚିଠା ଆଚ଼ରଣ ବିଧିରେ ପ୍ରସାରିତ କାର୍ଯ୍ୟକ୍ରମଗୁଡ଼ିକରେ ପାଞ୍ଚଗୋଟି ଦିଗ ପ୍ରତି ସତର୍କତା ଅବଲମ୍ବନ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇ ଥିଲା । ପ୍ରଥମତଃ, ଜାତୀୟ କୁଳସଙ୍କେତ ଓ ଜାତୀୟ ପତାକା ଓ ଦ୍ୱିତୀୟରେ ବିଭିନ୍ନ ଧାର୍ମିକ ଭାବନାର ସମ୍ମାନ, ତୃତୀୟରେ ଆତଙ୍କବାଦକୁ ଉତ୍ସାହିତ କରିବାରୁ ବିରତ ରହିବା, ଚତୁର୍ଥରେ ଶିଶୁ ଯୌନଚାରସଂବନ୍ଧୀୟ ଓ ପଞ୍ଚମରେ ନ୍ୟାୟପାଳିକାଦ୍ୱାରା ନିଷିଦ୍ଧ ବିଷୟବସ୍ତୁ ପ୍ରସାରଣ ନକରିବା ନିମନ୍ତେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।


 

ଅନଲାଇନ ଗଣମାଧ୍ୟମ ମଞ୍ଚଗୁଡ଼ିକର ନିୟନ୍ତ୍ରଣ ଦାୟିତ୍ୱ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗ୍ରହଣ କରିବାପରେ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଉଛି । ବିଗତ ଦୁଇ ଦଶକ ମଧ୍ୟରେ ଭାରତରେ ଇଣ୍ଟରନେଟ ଉପଭୋକ୍ତା ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଛି । ଏକବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ଦେଶରେ ୫୦ ଲକ୍ଷ ଇଣ୍ଟରନେଟ ଉପଭୋକ୍ତା ଥିବା ସ୍ଥଳେ ୨୦୨୦ରେ ୫୦ କୋଟିରେ ପହଞ୍ଚିଛି । ଏହି କାରଣରୁ ଅନଲାଇନ ଗଣମାଧ୍ୟମ ମଞ୍ଚଗୁଡ଼ିକ ସମ୍ୱାଦ ସରବରାହ ଓ ମନୋରଞ୍ଜନ କ୍ଷେତ୍ରରେ ପାରମ୍ପରିକ ଗଣମାଧ୍ୟମ ତୁଳନାରେ ପ୍ରଭାବଶାଳୀ ସ୍ଥିତିରେ ପହଞ୍ଚିଛନ୍ତି । ବ୍ରିଟେନର ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ରଏଟର ଇନଷ୍ଟିଟୁଏଟ ଅଫ ଜର୍ଣ୍ଣାଲିଜମ ପକ୍ଷରୁ ପ୍ରସ୍ତୁତ ‘ଦି ଇଣ୍ଡିଆନ ଡିଜିଟାଲ ନିଉସ ରିପୋର୍ଟ’ରେ ସହରାଞ୍ଚଳର ଉଚ୍ଚଶିକ୍ଷିତ ୩୫ ବର୍ଷ-ପୂର୍ବ ସମ୍ୱାଦ ପାଠକମାନଙ୍କ ମଧ୍ୟରୁ ୫୬ ପ୍ରତିଶତ ଅନଲାଇନରେ ସମ୍ୱାଦ ଆହରଣ କରୁଥିବା ସ୍ଥଳେ ମାତ୍ର ୧୬ ପ୍ରତିଶତ ମୁଦ୍ରିତ ସମ୍ୱାଦପତ୍ର ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଦର୍ଶାଯାଇଛି । ଏହି ତଥ୍ୟ ଭାରତୀୟ ଭାଷା ସମୂହ କ୍ଷେତ୍ରରେ ଊଣାଅଧିକେ ସୁଦୂର ଭବିଷ୍ୟତରେ ପ୍ରତିବିମ୍ୱିତ ହେବା ଆକଳନ ଯୁକ୍ତିଯୁକ୍ତ ମନେହୁଏ ।


 

ପରିବର୍ତ୍ତିତ ପରିବେଶରେ ଅନଲାଇନ ଗଣମାଧ୍ୟମ ମଞ୍ଚଗୁଡ଼ିକର ବ୍ୟାପକ ଅଭିବୃଦ୍ଧି ଆକଳନ କରାଯାଉଥିବା ହେତୁ ଏଦିଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଅଭିବ୍ୟକ୍ତିରେ ସ୍ୱାଧୀନତା ଏବଂ ସୃଜନ ଉଭୟ କ୍ଷେତ୍ରକୁ ପ୍ରଭାବିତ କରିବା ନିଶ୍ଚିତ । ମନୋରଞ୍ଜନଧର୍ମୀ ଓଟିଟି ମଞ୍ଚରେ ଚଳଚ଼ିତ୍ର ପ୍ରଦର୍ଶନ ଲାଗି ସ୍ୱାଭାବିକ ଚଳଚ଼ିତ୍ର ଯାଞ୍ଚ ‘ସେନସର’ ବ୍ୟବସ୍ଥା ଲାଗୁ କରାଯାଇପାରେ । କିନ୍ତୁ ସୋସିଆଲ ମିଡ଼ିଆ ସମେତ ଅନ୍ୟାନ୍ୟ ଅନଲାଇନ ମଞ୍ଚରେ ଦର୍ଶକମାନଙ୍କ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ‘ୟୁଜରର୍ସ ଜେନେରେଟେଡ଼ ଭିଡ଼ିଓ’ର ନିୟନ୍ତ୍ରଣ ପ୍ରାବଧାନ ରହିବ କି ଏବଂ ଯଦି ରହିବ କେଉଁ ଧାରା ପରିଚାଳିତ ହୋଇପାରିବ ତାହା ଅମୀମାଂସିତ ପ୍ରଶ୍ନ । ଅପରପକ୍ଷେ ସମ୍ୱାଦଧର୍ମୀ ଡ଼ିଜିଟାଲ ଗଣମାଧ୍ୟମ ମଞ୍ଚଗୁଡ଼ିକ ପତ୍ରପତ୍ରିକା ଭଳି ପଞ୍ଜୀକରଣ ଆବଶ୍ୟକ ପଡ଼ିବ କି ଏବଂ ପ୍ରକାଶିତ ରଚନା ଓ ଚ଼ିତ୍ରାବଳୀ ପ୍ରଚଳିତ ସାଧାରଣ ଆଇନ ଭିନ୍ନ ଅତିରିକ୍ତ ଆଇନ ସମୂହର ସମ୍ମୁଖୀନ ହେବକି ଏଭଳି ସଂଭାବନାକୁ ଏଡ଼ାଇ ଦେଇ ହେଉ ନାହିଁ । ଖ୍ୟାତନାମା ଚ଼ଳଚ଼ିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କ ଅଧ୍ୟକ୍ଷତାରେ ଗଠିତ ଏକ୍ସପାର୍ଟ ଗୃପର ରିପୋର୍ଟ ଏଦିଗରେ ସହାୟକ ହେବା ଆଶା କରାଯାଉଛି ।


 

ଓଟିଟିମଞ୍ଚଗୁଡ଼ିକରେ ପ୍ରଦର୍ଶିତ ଚଳଚ଼ିତ୍ରଗୁଡ଼ିକରେ ନଗ୍ନତା, ଅଶାଳୀନ ଭାଷା ଏବଂ ସ୍ଥଳବିଶେଷରେ ବିଦ୍ୱେଷସୃଷ୍ଟିଧର୍ମୀ ରୂପାୟନ ସାମାଜିକସ୍ତରରେ ନିୟାମକ ସୃଷ୍ଟି ସପକ୍ଷରେ ଜନମତ ସୃଷ୍ଟି କରିଛି । ସେହିପରି ସମ୍ୱାଦଧର୍ମୀ ଡିଜିଟାଲ ମଞ୍ଚ ଓ ସୋସିଆଲମିଡ଼ିଆରେ ବ୍ୟାପକ ଅସତ୍ୟ ଓ ଅଭିସନ୍ଧିମୂଳକ ସମ୍ୱାଦ ପରିବେଷଣ କ୍ଷେତ୍ରରେ ଅଙ୍କୁଶ ଲାଗୁ ପାଇଁ ଦାବୀ ଜୋର ଧରିଛି । ସ୍ଥଳବିଶେଷରେ ନ୍ୟାୟପାଳିକାଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦିଆଯାଉଛି । ଏହି ପରିସ୍ଥିତିରେ ଡିଜିଟାଲ ଗଣମାଧ୍ୟମ ମଞ୍ଚଗୁଡ଼ିକ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିୟନ୍ତ୍ରଣାଧିନ ହେବା ଫଳରେ ନିକଟ ଭବିଷ୍ୟତରେ କାର୍ଯ୍ୟାନୁଷ୍ଠାନ ଆଶା କରାଯାଇପାରେ । ତେବେ ଇଣ୍ଟରନେଟ କାରିଗରୀ କୌଶଳର ମୂଳଭିତ୍ତି ସ୍ୱାଧୀନ ଓ ନିୟନ୍ତ୍ରଣ ବିହୀନ ମଞ୍ଚ ଗଠନରେ ପର୍ଯ୍ୟବସିତ ଥିବା ସ୍ଥଳେ ସରକାରୀ ନୀତିନିୟମ ଭାରତରେ ଡ଼ିଜିଟାଲ ଗଣମାଧ୍ୟମକୁ କେଉଁରୂପରେ ପ୍ରଭାବିତ କରିବ ତାହା ସମୟ କହିବ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୦ ନଭେମ୍ୱର ୨୦୨୦

ତଥ୍ୟ:


Centre brings online news portals, OTT platforms under ambit of I&B ministry. The Times of India (Bhubaneswar Edition). November 12, 2020.


 

OTT channels come under I&B ministry. The Hindu (Cuttack Edition). November 12, 2020.


 

Pinto, Viveat Susan. Digital content now under govt. watch. Business Standard  (Bhubaneswar Edition). November 12, 2020.


 

Desai, Nitin. Socialising social media. Business Standard (Bhubaneswar Edition). November 17, 2020.

ସୋସିଆଲ ମିଡ଼ିଆ ନିର୍ଦ୍ଦେଶନାମା ପ୍ରଣୟନ

ଭାରତୀୟ ସୁପ୍ରିମ କୋର୍ଟ ସୋସିଆଲ ମିଡ଼ିଆରଦୁରୋପଯୋଗରେଉଦବେଗ ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଏଭଳି ସମସ୍ୟା ରୋକିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଉଥିବା ନିର୍ଦ୍ଦେଶନାମା ପ୍ରଣୟନ ଲାଗି ଆବଶ୍ୟକୀୟ ସମୟସୀମା ସଂପର୍କରେ ତଥ୍ୟ ତିନି ସପ୍ତାହ ମଧ୍ୟରେ ଦାଖଲ କରିବା ନିମନ୍ତେ ୨୪ ସେପ୍ଟେମ୍ବର ୨୦୧୯ରେ କହିଥିଲେ । ଏହି ଅବସରରେ ନ୍ୟାୟାଧୀଶ ଦୀପକ ଗୁପ୍ତା ଓ ନ୍ୟାୟାଧୀଶ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ସୋସିଆଲ ମିଡ଼ିଆର କେତେକ ମଞ୍ଚରେ ସମ୍ୱାଦ ପ୍ରେରକଙ୍କ ପରିଚୟ ସଂପର୍କରେ ଗୋପନୀୟତା ତଥା ଏପରିକି ସଂପୃକ୍ତ ମଞ୍ଚର ଅଜ୍ଞତାର ନ୍ୟାୟିକ ଦିଗ ପ୍ରତି ଗୁରୁତ୍ୱାରୋପ କରିଥିଲେ ।


 

ସୋସିଆଲ ମିଡ଼ିଆ ଏକାଉଣ୍ଟଗୁଡ଼ିକ ସହ ଆଧାର ସଂଯୋଗ ସଂପର୍କୀତ ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରାଧୀନ ମକଦ୍ଦମାଗୁଡ଼ିକସୁପ୍ରିମ କୋର୍ଟକୁ ସ୍ଥାନାନ୍ତର ଆବେଦନର ଶୁଣାଣି କରି ନ୍ୟାୟାଧୀଶ ଗୁପ୍ତା ସୋସିଆଲ ମିଡ଼ିଆ ସଂପର୍କୀତ ତଥ୍ୟାବଳୀ ଅନୁଧ୍ୟାନ କଲେ ଏଭଳି ବୈଷୟିକ କୌଶଳର ବିପଦପୂର୍ଣ୍ଣ ଦିଗଗୁଡ଼ିକ ଉନ୍ମୋଚିତ ହୋଇଥାଏ ବୋଲି ଟିପ୍ପଣୀ ଦେଇଥିଲେ ।


 

ସୋସିଆଲ ମିଡ଼ିଆ ମାମଲାର ବିଚାର ଦାୟିତ୍ୱ ନିର୍ବାହ ଅବସରରେ ବିଭିନ୍ନ ମଞ୍ଚର ବ୍ୟବହାର ସଂପର୍କରେ ଅବଗତ ହେବା ଉଦ୍ଦେଶ୍ୟରେ ନ୍ୟାୟାଧୀଶ ଗୁପ୍ତା ଜଣେ ବିଶେଷଜ୍ଞଙ୍କ ସହାୟତାରେ ମାତ୍ର ଅଧଘଣ୍ଟା ମଧ୍ୟରେ ଇଣ୍ଟରନେଟର ନିଷିଦ୍ଧ ଇଲାକା ‘ଡାର୍କ ୱେବ’ ବ୍ରାଉଜିଂ ଶିଖିଥିଲେ । ସେହି ପରିବେଶରେ ବିଭିନ୍ନ ନିଷିଦ୍ଧ ସାମଗ୍ରୀ ବିକ୍ରୀପାଇଁ ଉପଲବ୍ଧ ଥିବା ତଥା ଏକେ-୪୭ ଭଳି ମାରାତ୍ମକ ବନ୍ଧୁକ କ୍ରୟ ସଂଭବ ବୋଲି ଜାଣି ପାରିଥିଲେ ।


 

ଫେସବୁକ ବିରୋଧରେ ମାଡ୍ରାସ, ବମ୍ୱେଓ ମଧ୍ୟପ୍ରଦେଶ ହାଇକୋର୍ଟରେ ମାମଲାମାନ ବିଚାରଧୀନ ରହିଛି ଏବଂ ପ୍ରାୟ ସବୁଗୁଡ଼ିକସୋସିଆଲ ମିଡ଼ିଆ ନିୟମାବଳୀ ଆଧାରିତ । ଏଗୁଡ଼ିକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ଆବେଦନ ଶୁଣାଣି କରି ସୁପ୍ରିମକୋର୍ଟ ପକ୍ଷରୁ ୨୦ ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର, ଫେସବୁକ, ହ୍ୱାଟ୍ସଆପ, ଟୁଇଟର ଓ ୟୁ-ଟ୍ୟୁବକୁ ଏ ସଂପର୍କରେ ପକ୍ଷ ରଖିବା ନିମନ୍ତେ ନିର୍ଦ୍ଦେଶ ଜାରୀ କରିଥିଲେ ।


 

ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ପକ୍ଷରୁ ଦାବୀ କରାଯାଉଛି ଯେ ସେମାନେ ଗଣମାଧ୍ୟମ ପର୍ଯ୍ୟାୟଭୁକ୍ତ ନୁହନ୍ତି । ତେଣୁ ଗଣମାଧ୍ୟମ ନିମନ୍ତେ ପ୍ରଯୁଜ୍ୟ ଆଇନାବଳୀ ସେମାନଙ୍କ କ୍ଷେତ୍ରରେ ଲାଗୁ କରାଯିବା ଅସଂଗତ । ସୋସିଆଲ ମିଡ଼ିଆରେଉପଭୋକ୍ତାମାନଙ୍କ ଦ୍ୱାରା ପ୍ରକାଶିତ ତଥ୍ୟଲାଗି ସଂପୃକ୍ତ ମଞ୍ଚକୁ ଦାୟୀ କରାଯିବା ଅନୁଚିତ ।


 

ଅପରପକ୍ଷେ ହ୍ୱାଟସଆପ ଭଳି ମଞ୍ଚରେ ପ୍ରେରଙ୍କଠାରୁଗ୍ରହୀତାଙ୍କ ଯାଏଁ ପାଠ୍ୟ ବା ଚ଼ିତ୍ର ପ୍ରସାରରେ ଗୋପନୀୟତା ରକ୍ଷା ସଂପୃକ୍ତ ମଞ୍ଚର ବୈଶିଷ୍ଟ୍ୟ । ଏହି କାରଣରୁହିଁଆପ୍ଲିକେସନଟି ସର୍ବାପେକ୍ଷା ଲୋକପ୍ରିୟ ହୋଇପାରିଛି । ମଞ୍ଚ ପରିଚାଳକ ମଧ୍ୟ ସମ୍ୱାଦ ପ୍ରେରଣରେ ଗୋପନୀୟତା ଉଲଂଘନ କରିବା ସଂଭବପର ନୁହେଁ । ଏହି ପରିପ୍ରେକ୍ଷୀରେ ମଞ୍ଚ ଆୟୋଜକଙ୍କଠାରୁ ପ୍ରେରକଙ୍କ ପରିଚୟ ଦାବୀ ଅସଂଗତ ।


 

ପ୍ରଶ୍ନ ଉଠେ ହ୍ୱାଟସଆପର ଗୋପନୀୟତା ବିଭବ ସାମାଜିକ ହିତ ଦୃଷ୍ଟିରୁ ଗ୍ରହଣୀୟ କି ? ହସ୍ତାକ୍ଷର ପତ୍ରଠାରୁ ଆରମ୍ଭ କରି ମୁଦ୍ରଣ, ଟେଲିଗ୍ରାଫ, ରେଡ଼ିଓ, ଟେଲିଭିଜନ ଓ ଇ-ମେଲ ଯାବତୀୟ ପ୍ରସାରଣ ମାଧ୍ୟମରେ ପ୍ରେରକଙ୍କ ପରିଚୟ ଉପଲବ୍ଧ ତଥା ଦେଶରେ ପ୍ରଚଳିତ ଅଭିବ୍ୟକ୍ତି ସ୍ୱାଧୀନତା ଆଇନ ଉଲଂଘନ କଲେ ପ୍ରଶାସନିକ ଆକଟ ଉପଯୋଗର ପ୍ରାବଧାନ ଥିବା ସ୍ଥଳେ ହ୍ୱାଟସଆପରେ ପ୍ରେରକ କିମ୍ୱା ପ୍ରକାଶକଙ୍କ ପରିଚୟ ଗୋପନୀୟ ରଖାଯାଇ ପାରିବ କି ? ରାଷ୍ଟ୍ରରେ ପ୍ରଚଳିତ ଆଇନକାନୁନର ବିରୁଦ୍ଧାଚରଣ କରୁଥିବା ଏଭଳି ମଞ୍ଚ ପ୍ରଚଳନ ଯୁକ୍ତିଯୁକ୍ତ କି ? ଅପରପକ୍ଷେ ଗୋପନୀୟତା ରକ୍ଷା ନିମନ୍ତେ ବୈଷୟିକ କୌଶଳ ଉପଯୋଗ କରାଯାଉଥିବା ସ୍ଥଳେ ଆବଶ୍ୟକ କ୍ଷେତ୍ରରେ ପରିଚୟ ଉନ୍ମୋଚନ ନିମନ୍ତେ ମଧ୍ୟ ବୈଷୟିକ କୌଶଳ ଉପଲବ୍ଧ ହେବା ଆବଶ୍ୟକ ନୁହେଁ କି ?


 

ସେହିପରି ଯୁକ୍ତି ବଢ଼ାଯାଉଛି ଯେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ଗଣମାଧ୍ୟମ ଭଳି ବିଜ୍ଞାପନ ପ୍ରସାରଣ କରୁଥିବା ତଥା ସେଥିରୁ ପ୍ରଭୂତ ଆୟ କରୁଥିବା ହେତୁ ସେଗୁଡ଼ିକ ଗଣମାଧ୍ୟମ ପର୍ଯ୍ୟାୟଭୁକ୍ତ ଏବଂ ଗଣମାଧ୍ୟମ ନିମନ୍ତେ ପ୍ରଯୁଜ୍ୟ ଆଇନାବଳୀ ପାଳନ ବିଧେୟ ।


 

ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଆରମ୍ଭରୁ ଆମ ଦେଶରେ ଇଣ୍ଟରନେଟର ବ୍ୟାପ୍ତି ଓ ସ୍ମାର୍ଟଫୋନ ଯୋଗେ ବିଭିନ୍ନ ମେସେଜିଂ ଆପ୍ଲିକେସନ ବ୍ୟବହାର ବୃଦ୍ଧି ଅବସରରେ ଏଭଳି ସୁବିଧାଦୁରୋପଯୋଗକୁ ନେଇ ପ୍ରଶାସନ ଓ ନ୍ୟାୟଳୟ ଉଦବିଘ୍ନ । ଅତ୍ୟାଧୁନିକ ବୈଷୟିକ କୌଶଳ ପ୍ରୟୋଗରେ ବିକଶିତମଞ୍ଚଗୁଡ଼ିକ ଉପଯୋଗରେ ଗୁଜବ, ମାନହାନୀ, ହିଂସାକାଣ୍ଡ ଉସୁକାଇବା, ଆତଙ୍କବାଦ ପ୍ରସାର, ଦେଶଦ୍ରୋହ, ଅଶ୍ଲୀଳତାପ୍ରସାରରେ ବ୍ୟବହାର ରୋକିବା ନିମନ୍ତେ ଆଇନାନୁମୋଦିତନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ନିମନ୍ତେ ପଦକ୍ଷେପମାନ ଗ୍ରହଣ କରାଯାଉଛି । ତେବେ ସୋସିଆଲ ମିଡ଼ିଆ କ୍ଷେତ୍ରରେ ବିକାଶୋନ୍ମୁଖୀ ବୈଷୟିକ କୌଶଳଗୁଡ଼ିକରତତ୍କ୍ଷଣାତ ମୁକାବିଲା ସମସ୍ୟା ବହୁଳ ହୋଇପଡୁଛି ।


 

ଫେସବୁକ, ହ୍ୱାଟସଆପ, ଟୁଇଟର, ଟିକଟକ, ହ୍ୟାଲୋ ଭଳି ମେସେଞ୍ଜର ଆପ୍ଳିକେସନଗୁଡ଼ିକ ବୈଦେଶିକ ବହୁରାଷ୍ଟ୍ରୀୟକମ୍ପାନୀଗୁଡ଼ିକଙ୍କନିୟନ୍ତ୍ରଣାଧୀନ । ଭାରତରେ ଏହି ମଞ୍ଚଗୁଡ଼ିକ ବହୁଳ ବ୍ୟବହାର ହେଉଥିବା ତଥା ସ୍ଥାନୀୟ ଉପଭୋକ୍ତାଙ୍କ ସଂପର୍କରେ ତଥ୍ୟକୁ ଭିତ୍ତିକରି ବିଜ୍ଞାପନ ପ୍ରକାଶନ ମାଧ୍ୟମରେ ପ୍ରଭୂତ ଅର୍ଥ ଉପାର୍ଜନ କରୁଥିବାସ୍ଥଳେ ଦେଶରେ ପରିଚାଳନାଗତ ପୃଷ୍ଠଭୂମିର ଅଭାବ ଅନୁଭୂତ ହୋଇଥାଏ । ଏଭଳି ମଞ୍ଚଗୁଡ଼ିକ ସ୍ୱୟଂକ୍ରିୟ ଭାବେ କାର୍ଯ୍ୟକରୁଥିବା ହେତୁ ସ୍ଥାନୀୟ ପରିଚାଳନାଗତଉପସ୍ଥିତିର ଆବଶ୍ୟକ ନଥାଏ । ଏତାଦୃଶ ପରିବେଶରେ ଦେଶର ଉପଭୋକ୍ତାମାନଙ୍କ ସଂପର୍କରେ ସଂଗୃହୀତ ତଥ୍ୟାବଳୀ ଦେଶ ମଧ୍ୟରେ ଗଚ୍ଛିତ ରଖିବା ନିମନ୍ତେ ସରକାରୀସ୍ତରରେ ବାଧ୍ୟ କରାଯାଉଛି ।


 

ସମାଲୋଚକମାନଙ୍କ ମତରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ଭାରତରେ ବିପୁଳ ସଂଖ୍ୟକ ଉପଭୋକ୍ତା ସୃଷ୍ଟି କରୁଥିଲେ ହେଁ ମଞ୍ଚ ବ୍ୟବହାର ସଂପର୍କରେ ସଚେତନ କରାଇବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନନେଉଥିବା ହେତୁ ଦୁରୋପଯୋଗ ବଢୁଛି । ଉଦାହରଣରେ ଗୁଜବ ପ୍ରସାରଣ ରୋକିବା ତଥା ଅସତ୍ୟ ସମ୍ୱାଦ ପରଖିବା ନିମନ୍ତେ ଆଞ୍ଚଳିକ ଭାରତୀୟଭାଷାରେ ପର୍ଯ୍ୟାପ୍ତ ସୁବିଧାସୁଯୋଗ ନଥିବା ହେତୁ ଏଦିଗରେ ପଦକ୍ଷେପ ଫଳପ୍ରଦ ହୋଇପାରୁ ନାହିଁ । ଗ୍ରାମାଞ୍ଚଳରେ ଗୁଜବ ପ୍ରସାର ଅଣାୟତ୍ତ ପ୍ରମାଣିତ ହେଉଛି ।


 

ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର କ୍ରମଶଃ ଜନସାଧାରଣଙ୍କ ଦୈନନ୍ଦିନ ଜୀବନର ଅବିଚ୍ଛେଦ ଅଙ୍ଗ ପାଲଟିଯାଇଛି । ଭାରତରେ ୨୦୧୯ ମଧ୍ୟଭାଗ ସୁଦ୍ଧା ୫୮ କୋଟି ଉପଭୋକ୍ତାମାନଙ୍କ ମଧ୍ୟରେ ପ୍ରାୟ ୯୭ ପ୍ରତିଶତ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ସଂଯୁକ୍ତ ହେଉଥିବା ହେତୁ ମୋବାଇଲ ଆପ୍ଲିକେସନଗୁଡ଼ିକର ବ୍ୟବହାର ଗୁରୁତ୍ୱ ବହନ କରିଥାଏ । ସୋସିଆଲ ମିଡ଼ିଆରଦୁରୋପଯୋଗକୁ ଆୟତ୍ତ କରିବା ନିମନ୍ତେ ସରକାରୀସ୍ତରରେ କ୍ରମାଗତ ଭାବେ ନିର୍ଦ୍ଦେଶନାମାମାନଜାରୀ କରାଯାଇଆସିଛି । ଇଣ୍ଟରନେଟ ବ୍ୟବହାର ସଂପର୍କରେ ୨୦୧୨ରେ ପ୍ରଣୀତ ନିୟମାବଳୀରେ ଅଭିବ୍ୟକ୍ତିର ସ୍ୱାଧୀନତା ଖର୍ବ ସଂପର୍କରେ ଯେତିକି ସମାଲୋଚନା ଶୁଣିବାକୁ ମିଳିଥିଲା ତାହାଠାରୁ ଢ଼େର ଅଧିକ ତୃଣମୂଳସ୍ତରରେ ଆଇନଗତ ଉପଯୋଗ ଜନିତ ସମସ୍ୟାର ଉଦାହରଣ ଦେଖିବାକୁ ମିଳିଥିଲା । କେତେକ କ୍ଷେତ୍ରରେ ନାଗରିକଙ୍କ ସ୍ୱାର୍ଥରକ୍ଷାଲାଗି ନ୍ୟାୟାଳୟଗୁଡ଼ିକୁ ହସ୍ତକ୍ଷେପ କରିବାକୁ ପଡିଥିଲା ।


 

ସମୟକ୍ରମେ ସୋସିଆଲ ମିଡ଼ିଆର ନବୀନତମ ଉପଯୋଗ ଓ ସାମାଜିକ ପୃଷ୍ଠଭୂମିରେ ଅଭିଜ୍ଞତାକୁ ବିଚାରକୁ ନେଇ ନିୟମାବଳୀ ଓ ନିର୍ଦ୍ଦେଶନାମା ପରିବର୍ତ୍ତନ ଆବଶ୍ୟକତା ଅନୁଭୂତ ହେଉଛି । ଏହି କାରଣରୁ କେନ୍ଦ୍ର ସରକାର ଏକ ନୂତନ ନିର୍ଦ୍ଦେଶନାମା ପ୍ରସ୍ତୁତି ଚଳାଇଥିବା ଘୋଷଣା କରିଛନ୍ତି । ତେବେ ସୁପ୍ରିମକୋର୍ଟ ସଂଭବତଃ ଏହି ପ୍ରକ୍ରିୟା ତୁରନ୍ତ ସାରିବା ନିମନ୍ତେ ଚାହାନ୍ତି । ନ୍ୟାୟାଧୀଶ ଗୁପ୍ତା ଓ ନ୍ୟାୟାଧୀଶ ବୋଷସୋସିଆଲ ମିଡ଼ିଆ ବ୍ୟବହାରଜନିତ ବୈଷୟିକ ବିଷୟବସ୍ତୁ ସଂପର୍କରେ ନୀତି ନିର୍ଦ୍ଧାରଣ ସୁପ୍ରିମକୋର୍ଟ କିମ୍ୱା ହାଇକୋର୍ଟଗୁଡ଼ିକ ପକ୍ଷେ ସମ୍ଭବ ନଥିବା ଏବଂ ସରକାର ଏଦିଗରେ ବିହିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ପଷ୍ଟୋକ୍ତିବାଢ଼ିଥିଲେ । ସୋସିଆଲ ମିଡ଼ିଆ ପରିଚାଳନା ଓ ବ୍ୟବହାର ନିମନ୍ତେ ନିର୍ଦ୍ଦେଶନାମା ପ୍ରଣୟନ କାଳରେ ବ୍ୟକ୍ତିଗତ ଗୋପନୀୟତା ଓ ରାଷ୍ଟ୍ରୀୟ ଅଖଣ୍ଡତା ପ୍ରତି ସର୍ବାଗ୍ରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମଧ୍ୟ ସୂଚାଇଛନ୍ତି ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅକ୍ଟୋବର ୨୦୧୯

ତଥ୍ୟ:



SC says Centre should frame guidelines to deal with social media misuse. The Times of India. September 24, 2019.


 

Supreme Court says Centre should frame guidelines to deal with social media misuse.The Hindu. September 24, 2019.


 

Sinha, Bhadra. ‘Thinking of giving up my smartphone’: Supreme Court judge on need for social media. The Hindustan Times. September 24, 2019.


 

Sinha, Bhadra. Strike a balance : Supreme Court’s advice to Centre on framing social media rules. The Hindustan Times. September 25, 2019.


 

Sukumar, Arun Mohan & Raman Chima (Parley). What is the right way of regulating social media ?The Hindu (Cuttack Edition). August 30, 2019.

ନୂତନ ଡ଼ିଜିଟାଲ ମିଡ଼ିଆ ନିୟମ ୨୦୨୧

ଦୀର୍ଘ ପ୍ରତୀକ୍ଷିତ ନୂତନ ଡ଼ିଜିଟାଲ ମିଡ଼ିଆ ନିୟମ ୨୦୨୧ ଫେବୃୟାରୀ ଶେଷ ସପ୍ତାହରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ଆକାରରେ ପ୍ରକାଶ ପାଇଥିଲା । ସୂଚ଼ନା ପ୍ରୋଦ୍ୟୋଗିକୀ (ମଧ୍ୟସ୍ଥିଙ୍କ ନିମନ୍ତେ ନିର୍ଦ୍ଦେଶାବଳୀ – ଡିଜିଟାଲ ମିଡ଼ିଆ ଆଚରଣ ସଂହିତା) ନିୟମ ୨୦୨୧ ‘ଇନଫରମେସନ ଟେକନୋଲଜି (ଗାଇଡ଼ଲାଇନ୍ସ ଫର ଇଣ୍ଟମିଡ଼ିୟାରି ଏଣ୍ଡ ଡିଜିଟାଲ ମିଡ଼ିଆ ଏଥିକ୍ସ କୋଡ଼) ରୁଲସ, ୨୦୨୧’ ଏକ ନୂତନ ଆଇନ ନୁହେଁ, ଏହା ପ୍ରଚଳିତ ଆଇନାବଳୀର ଉପଯୋଗ ନିମନ୍ତେ ନିୟମାବଳୀ ମାତ୍ର । କ୍ରମବର୍ଦ୍ଧମାନ ଡିଜିଟାଲ ମିଡ଼ିଆ ଅନ୍ତର୍ଭୁକ୍ତ ସୋସିଆଲ ମିଡିଆ, ମେସେଞ୍ଜର ଆପ୍ଳିକେସନ, ଭିଡ଼ିଓ ଓ ଅଡ଼ିଓ ଷ୍ଟ୍ରୀମିଂ ତଥା ସମ୍ୱାଦମଞ୍ଚଗୁଡ଼ିକରେ ଉପାଦାନ ‘କଣ୍ଟେଣ୍ଟ’ ସମ୍ପାଦନା, ଉପଭୋକ୍ତାଙ୍କ ଆପତ୍ତିଅଭିଯୋଗ ମୀମାଂସା ଓ ଦେଶର ସାମ୍ୱିଧାନିକ ସର୍ତ୍ତାବଳୀ କାର୍ଯ୍ୟକାରୀ କରିବା ଦିଗରେ ସଂପ୍ରସାରିତ କ୍ଷେତ୍ର ପ୍ରସ୍ତୁତି ନିମନ୍ତେ ଏହି ନିୟମରେ ବିଭିନ୍ନ ନିର୍ଦ୍ଦେଶାବଳୀ ସନ୍ନିବଶିତ ।


 

ଭାରତରେ ଲୋକପ୍ରିୟତା ହାସଲ କରିଥିବା ସୋସିଆଲ ମିଡ଼ିଆ ମଧ୍ୟରେ ହ୍ୱାଟସଆପରେ ୫୩ କୋଟି, ୟୁଟ୍ୟୁବରେ ୪୪.୮ କୋଟି, ଫେସବୁକରେ ୪୧ କୋଟି, ଇନଷ୍ଟାଗ୍ରାମରେ ୨୧ କୋଟି ଓ ଟୁଇଟରରେ ୧.୭୫ କୋଟି ଉପଭୋକ୍ତା ୨୦୨୧ ଆରମ୍ଭ ସୁଦ୍ଧା ସାମିଲ ହୋଇଥିବା ହିସାବ କରାଯାଏ । ଏହି ସମସ୍ତ ମଞ୍ଚ ବୈଦେଶିକ ମାଲିକାନାରେ ପରିଚାଳିତ । ସୋସିଆଲ ମିଡ଼ିଆ ମଧ୍ୟସ୍ଥି ‘ଇଣ୍ଟରମିଡ଼ିୟାରି’ଗୁଡ଼ିକ ଭର୍ଚୁଆଲ ପରିବେଶରେ କାର୍ଯ୍ୟକ୍ଷମ ଥିବାହେତୁ ଭୌଗଳିକସ୍ତରରେ କାର୍ଯ୍ୟାଳୟ ସ୍ଥାପନ କିମ୍ୱା କର୍ମକର୍ତ୍ତା ଚ଼ିହ୍ନିତ ହୋଇନଥାନ୍ତି । ଫଳରେ ସ୍ଥାନୀୟ ଆଇନାବଳୀ ଉପଯୋଗରେ ବ୍ୟକ୍ତିବିଶେଷ କିମ୍ୱା ଅନୁଷ୍ଠାନକୁ ଉତ୍ତରଦାୟୀ କରିବାରେ ସ୍ଥଳବିଶେଷରେ ଅସୁବିଧା ଉପୁଜିଥାଏ । ନୂତନ ଡିଜିଟାଲ ମିଡ଼ିଆ ନିୟମରେ ଇଣ୍ଟରମିଡ଼ିୟାରି ମଞ୍ଚଗୁଡ଼ିକୁ ନିଜସ୍ୱ ପରିଚିତି ସର୍ବସାଧାରଣରେ ଉପସ୍ଥାପନ ଏବଂ ସ୍ଥାନୀୟ ଆଇନାବଳୀ ପାଳନ ଦାୟିତ୍ୱ ନିର୍ବାହ ନିମନ୍ତେ ଅଧିକାରୀଙ୍କୁ ନିଯୁକ୍ତ କରିବା ପ୍ରାବଧାନ ରହିଛି ।


 

ଭାରତର ସର୍ବପୁରାତନ ଗଣମାଧ୍ୟମ ସଂକ୍ରାନ୍ତୀୟ ଆଇନ ‘ପ୍ରେସ ଏଣ୍ଡ ବୁକ୍ସ ରେଜିଷ୍ଟ୍ରେସନ ଆକ୍ଟ, ୧୮୬୭’ ଅନୁଯାୟୀ ମୁଦ୍ରଣଯନ୍ତ୍ର ପ୍ରତିଷ୍ଠା କାଳରେ ପ୍ରତ୍ୟେକ ମୁଦ୍ରାକର ଏବଂ ସାମୟିକ ପତ୍ରପତ୍ରିକା ପ୍ରକାଶନ କାଳରେ ପ୍ରକାଶକ, ମୁଦ୍ରାକର, ସମ୍ପାଦକ ଓ ସତ୍ତ୍ୱାଧିକାରୀ ସ୍ଥାନୀୟ ପ୍ରଶାସନ ନିକଟରେ ବିଧିବଦ୍ଧଭାବେ ସ୍ୱୀକାରୋକ୍ତି ପ୍ରଦାନ କରିଥାନ୍ତି । ମୁଦ୍ରିତ ପତ୍ରପତ୍ରିକା ବାର୍ଷିକଭିତ୍ତିରେ ପ୍ରକାଶନର ପ୍ରସାରଣ ବିବରଣୀ ପ୍ରଦାନ କଲାପରେ ତାହା ସଂକଳିତ ହୋଇ ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଥାଏ । ଘରୋଇ ଟେଲିଭିଜନ ଚ୍ୟାନେଲ ଓ ରେଡ଼ିଓ ଷ୍ଟେସନ ପ୍ରତିଷ୍ଠାକ୍ଷେତ୍ରରେ ମଧ୍ୟ ଲାଇସେନ୍ସ ଆଣିବାକୁ ପଡ଼ିଥାଏ । ତେବେ ଡିଜିଟାଲ ମଞ୍ଚଗୁଡ଼ିକ ନିମନ୍ତେ ସେଭଳି ବ୍ୟବସ୍ଥା ଏଯାଏଁ ନାହିଁ ।


 

ନୂତନ ଡିଜିଟାଲ ମିଡ଼ିଆ ନିୟମ ୨୦୨୧ରେ ମୁଦ୍ରଣ, ଚଳଚ଼ିତ୍ର, ରେଡ଼ିଓ, ଟେଲିଭିଜନ ଓ ବିଜ୍ଞାପନ ଶିଳ୍ପ ଇତ୍ୟାଦି ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ କ୍ଷେତ୍ରରେ ପ୍ରଚଳିତ ବିଭିନ୍ନ ଆଇନାବଳୀ ଅନଲାଇନ ଗଣମାଧ୍ୟମଗୁଡ଼ିକରେ ଉପଯୋଗ ନିମନ୍ତେ ଉଦ୍ୟମ କରାଯାଇଛି ।


 

ପ୍ରଥମତଃ, ଭାରତର ସମ୍ୱିଧାନର ଧାରା ‘୧୯(୧)କ’ ରେ ପ୍ରଦତ୍ତ ପ୍ରତ୍ୟେକ ନାଗରକିଙ୍କ ଅଭିବ୍ୟକ୍ତିରେ ସ୍ୱାଧୀନତା ଏବଂ ଧାରା ‘୧୯(୨)’ରେ ଚ଼ିହ୍ନିତ ନିଷେଧାଜ୍ଞା ନୂତନ ନିୟମର ମୂଳଉତ୍ସ । ଦ୍ୱିତୀୟତଃ, ଇଣ୍ଟରନେଟଭିତ୍ତିକ ଗଣମାଧ୍ୟମ ନିମନ୍ତେ ପ୍ରଣୀତ ଇନଫରମେସନ ଟେକନୋଲଜି ଆକ୍ଟ ୨୦୦୦ର ଧାରା ‘୮୭(୨)’ ଅନୁଯାୟୀ ଏହି ନିୟମ ପ୍ରଣୀତ ହୋଇଛି । ପୂର୍ବରୁ ପ୍ରଚଳିତ ‘ଇନଫରମସେନ ଟେକନୋଲଜି (ଇଣ୍ଟରମିଡ଼ିୟାରି ଗାଇଡ଼ଲାଇନ୍ସ) ନିୟମ ୨୦୧୧’କୁ ରଦ୍ଦ କରାଯାଇଛି । ତୃତୀୟତଃ, ଘୋଷିତ ଆଚ଼ରଣ ସଂହିତାରେ ପ୍ରେସ କାଉନସିଲ ଆକ୍ଟ ୧୯୭୮ରେ ମୁଦ୍ରଣ ମଞ୍ଚ, କେବଲ ଟେଲିଭିଜନ ନେଟୱାର୍କ (ରେଗୁଲେସନ) ଆକ୍ଟ ୧୯୯୫ରେ ଟେଲିଭିଜନ ମଞ୍ଚ ତଥା କନଜ୍ୟୁମର ପ୍ରୋଟେକସନ ଆକ୍ଟ ୨୦୧୯ ଓ ଆଡ଼ଭାଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ ଅଫ ଇଣ୍ଡିଆର ବିଜ୍ଞାପନ ସଂପର୍କୀତ ନିର୍ଦ୍ଦେଶନାମାମାନ ଅନୁପାଳନ ନିମନ୍ତେ ଗୁରୁତ୍ୱ ଦିଆଯାଇଛି ।


 

ଘୋଷିତ ନିୟମ ଅନୁଯାୟୀ ‘ଡିଜିଟାଲ ମିଡ଼ିଆ’ର ଅର୍ଥ ଇଣ୍ଟରନେଟ ଓ କମ୍ପ୍ୟୁଟର ନେଟୱାର୍କରେ ଡିଜିଟାଲ ଉପାଦାନ ‘କଣ୍ଟେଣ୍ଟ’ ପ୍ରସାରଣ, ଗ୍ରହଣ ଓ ଗଚ୍ଛିତ ‘ରିସିଭଡ଼, ଷ୍ଟୋରଡ଼ ଏଣ୍ଡ ଟ୍ରାନ୍ସମିଟେଡ଼’କୁ ବୁଝାଇବ । ଏଥିରେ ସମ୍ୱାଦ ଓ ସାଂପ୍ରତିକ ପ୍ରସଙ୍ଗ ‘ନିଉଜ ଏଣ୍ଡ କରେଣ୍ଟ ଅଫାୟର୍ସ’ର ପ୍ରକାଶକ ଏବଂ ସଂକଳକ ‘ଅନଲାଇନ କ୍ୟୁରେଟେଡ଼ କଣ୍ଟେଣ୍ଟ’ ପ୍ରକାଶକ ସାଙ୍ଗକୁ ଫେସବୁକ, ୟୁଟ୍ୟୁବ ଓ ହ୍ୱାଟସଆପଭଳି ମଧ୍ୟସ୍ଥି ‘ଇଣ୍ଟରମିଡ଼ିୟରି’ ଅନ୍ତର୍ଭୁକ୍ତ ହେବେ । ନିଉଜ ପୋର୍ଟାଲ, ନିଉଜ ଏଗ୍ରିକେଟର, ନିଉଜ ଏଜେନ୍ସି, ଅନ-ଲାଇନ ପେପର ଇତ୍ୟାଦି ସମ୍ୱାଦ ଓ ସାଂପ୍ରତିକ ପ୍ରସଙ୍ଗ ପ୍ରକାଶକ ରୂପେ ପରିଗଣିତ ହେବେ । ‘ପବ୍ଳିସର ଅଫ ଅନଲାଇନ କ୍ୟୁରେଟେଡ଼ କଣ୍ଟେଣ୍ଟ’ର ଅର୍ଥ ଇଣ୍ଟରନେଟ ଓ କମ୍ପ୍ୟୁଟର ନେଟୱାର୍କ ପରିବେଶରେ ବିଭିନ୍ନ ସ୍ତରରେ ଉପଲବ୍ଧ ଅନଲାଇନ ଉପାଦାନ ଉପଭୋକ୍ତାଙ୍କ ଆହରଣ କରିବା ନିମନ୍ତେ ସୂତ୍ର ପ୍ରକାଶନକୁ ବୁଝାଇବ । ଏହି କ୍ଷେତ୍ରରେ କେବଳ ଯୋଗସୂତ୍ର ସ୍ଥାପନ ପାଇଁ ସଂପୃକ୍ତ ମଧ୍ୟସ୍ଥି ପ୍ରକାଶକ ଭାବେ ଚ଼ିହ୍ନିତ ହେବେ ନାହିଁ ।


 

ସୋସିଆଲ ମିଡ଼ିଆ ମଧ୍ୟସ୍ଥିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି (କ) ସୋସିଆଲ ମିଡ଼ିଆ ଇଣ୍ଟରମିଡ଼ିୟାରି ଏବଂ (ଖ) ସିଗ୍ନିଫିକେଣ୍ଟ ସୋସିଆଲ ମିଡ଼ିଆ ଇଣ୍ଟରମିଡ଼ିୟାରି । ସରକାରୀ ବିଜ୍ଞପ୍ତି ଅନୁଯାୟୀ ପଚାଶ ଲକ୍ଷରୁ ଅଧିକ ପଞ୍ଜୀକୃତ ଉପଭୋକ୍ତା ‘ରେଜିଷ୍ଟାର୍ଡ ୟୁଜର୍ସ’ ସଂବଳିତ ମଞ୍ଚ ସିଗ୍ନିଫିକେଣ୍ଟ ସୋସିଆଲ ମିଡ଼ିଆ ଇଣ୍ଟରମିଡ଼ିୟାରି ବିବେଚିତ ହେବେ ।


 

ପ୍ରତ୍ୟେକ ସିଗ୍ନିଫିକେଣ୍ଟ ସୋସିଆଲ ମିଡ଼ିଆ ଇଣ୍ଟରମିଡ଼ିୟାରିଙ୍କୁ ଜଣେ ଲେଖା ଚିଫ କମ୍ପ୍ଳାୟନ୍ସ ଅଫିସର, ନୋଡ଼ାଲ କଣ୍ଟାକ୍ଟ ପରସନ ଓ ରେସିଡେଣ୍ଟ ଗ୍ରୀଭେନ୍ସ ଅଫିସର ଇତ୍ୟାଦି ନିଯୁକ୍ତ କରି ମାସିକଭିତ୍ତିରେ କମ୍ପ୍ଳାଏନ୍ସ ରିପୋର୍ଟ ପ୍ରକାଶ କରିବାକୁ ପଡ଼ିବ । ଭାରତରେ ପଞ୍ଜୀକୃତ କାର୍ଯ୍ୟାଳୟ ସ୍ଥାପନ କରିବେ ଏବଂ ମଞ୍ଚର ଉପଭୋକ୍ତାମାନଙ୍କ ପରିଚିତି ଯାଞ୍ଚ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ । ସେମାନଙ୍କ ମଞ୍ଚରେ ପ୍ରସାରିତ ଆପତ୍ତିଜନକ ଉପାଦାନ ନିର୍ଦ୍ଧିଷ୍ଟ ସମୟ ସୀମାମଧ୍ୟରେ ହଟାଇବାର ବ୍ୟବସ୍ଥା କରିବେ ।


 

ନୂତନ ଡ଼ିଜିଟାଲ ମିଡ଼ିଆ ନିୟମ ୨୦୨୧ରେ କେନ୍ଦ୍ରସରକାରଙ୍କ ଇଲକ୍ଟ୍ରୋନିକ୍ସ ଏବଂ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟ ସୋସିଆଲ ମିଡ଼ିଆ ନିମନ୍ତେ ନିର୍ଦ୍ଦେଶାବଳୀ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡ଼ିଆ ଆଚ଼ରଣ ସଂହିତା ଉପଯୋଗ ଦାୟିତ୍ୱରେ ରହିବା ସ୍ଥିରୀକୃତ ହୋଇଛି । ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ଉପଭୋକ୍ତାଙ୍କ ଆପତ୍ତି ଅଭିଯୋଗର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ନିଜ ପକ୍ଷରୁ ବିଧିବଦ୍ଧ ଉଦ୍ୟମ କରିବେ । ଅଭିଯୋଗ ଦାଖଲର ୨୪ ଘଣ୍ଟା ମଧ୍ୟରେ ପ୍ରାପ୍ତିସ୍ୱୀକାର ଏବଂ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ଗ୍ରହଣ ବାଧ୍ୟତାମୂଳକ । ସରକାର ଓ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ନିଜ ମଞ୍ଚରୁ ଆଇନ ବର୍ହିଭୂତ ଉପାଦାନ ହଟାଇବେ ଏବଂ ଉପାଦାନ ପ୍ରସାରଣ ପ୍ରକ୍ରିୟାରେ ମୂଳସୂତ୍ରକୁ ଚ଼ିହ୍ନଟ କରିବେ ।


 

ସେହିପରି ସୋସିଆଲ ମିଡ଼ିଆ ଆଚ଼ରଣ ସଂହିତା ପାଳନ ସହ ନିଜ ମଞ୍ଚରେ ପ୍ରଦର୍ଶିତ ଉପାଦାନଗୁଡ଼ିକ ନିମନ୍ତେ ବୈଧାନିକ ଦର୍ଶକବର୍ଗ ଚ଼ିହ୍ନିତ କରି ପ୍ରାପ୍ତବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ଉପାଦାନ କିପରି କମ ବୟସ୍କଙ୍କ କ୍ଷେତ୍ରରେ ନିଷେଧ କରାଯାଇପାରିବ ସେ ଦିଗରେ ଯତ୍ନବାନ ହେବେ । ସାର୍ବଜନୀନ, ସାତବର୍ଷରୁ ଉର୍ଦ୍ଧ୍ୱ, ୧୩ ବର୍ଷରୁ ଉର୍ଦ୍ଧ୍ୱ, ୧୬ ବର୍ଷରୁ ଉର୍ଦ୍ଧ୍ୱ ଓ ପ୍ରାପ୍ତବୟସ୍କ ପାଞ୍ଚଗୋଟି ବର୍ଗରେ ଦର୍ଶକ ମଣ୍ଡଳୀଙ୍କ ପାଇଁ ଉପାଦାନ ନିର୍ଦ୍ଧାରିତ ହେବ । ଉପଭୋକ୍ତାଙ୍କ ଆପତ୍ତି ଅଭିଯୋଗ ବିଚାର ନିମନ୍ତେ ପ୍ରଥମେ ନିଜ ସ୍ତରରେ, ଦ୍ୱିତୀୟରେ ସଂଘବଦ୍ଧ ଭାବେ ଆତ୍ମବିବେଚନା ‘ସେଲଫ ରେଗୁଲେସନ’ରେ ମୀମାଂସା କରିବା ନିମନ୍ତେ ଉଦ୍ୟମ କରିବେ । ଆବଶ୍ୟକ ପଡ଼ିଲେ ତୃତୀୟପାଦରେ କେନ୍ଦ୍ରୀୟସ୍ତରରେ ଗଠିତ ତତ୍ତ୍ୱାବଧାରକ ସମିତି ‘ଓଭରସାଇଟ ମେକାନିଜମ’ରେ ମଧ୍ୟ ଆପତ୍ତି ଅଭିଯୋଗ ବିଚାର ହେବ ।


 

ଭାରତରେ ଗଣମାଧ୍ୟମ ନିମନ୍ତେ ଏକ ଘଡ଼ିସନ୍ଧି ମୋଡ଼ରେ ନୂତନ ଡିଜିଟାଲ ମିଡ଼ିଆ ନିୟମ ୨୦୨୧ ପ୍ରଚଳିତ ହୋଇଛି । ଏକ ପକ୍ଷରେ ମହାମାରୀକାଳରେ ସୋସିଆଲ ମିଡ଼ିଆ ସଶକ୍ତ ହୋଇ ପାରମ୍ପରିକ ଗଣମାଧ୍ୟମର ଲୋକପ୍ରିୟତାକୁ ଅତିକ୍ରମ କରିସାରିଥିବା ସ୍ଥଳେ ଅପରପକ୍ଷେ ଆନ୍ତର୍ଜାତିକସ୍ତରରେ ଭାରତରେ ଗଣମାଧ୍ୟମର ସ୍ୱାଧୀନତାର ମାନାଙ୍କକୁ ନେଇ ପ୍ରଶ୍ନ ଉଠୁଛି । ଡିଜିଟାଲ ମଞ୍ଚ ଅସତ୍ୟ, ଆକ୍ଷେପ, ମାନହାନୀ ଓ ଉଦ୍ଦେଶ୍ୟମୂଳକ ସମ୍ୱାଦ ଓ ଅଭିମତ, ଅଶ୍ଳିଳ ତଥା ଅପରାଧିକ, ସନ୍ତ୍ରାସବାଦ ସଂପର୍କୀତ ପ୍ରସାରଣରେ ବ୍ୟବହୃତ ହେଉଥିବା ହେତୁ ବିଭିନ୍ନ ସ୍ତରରେ ଉଦବେଗ ପ୍ରକାଶ ପାଉଛି । ଏହି  ଅବସରରେ ଦେଶର ପ୍ରଚଳିତ ଆଇନାବଳୀ ଆଧାରରେ ନିୟମାବଳୀ ପ୍ରସ୍ତୁତି ଏକ ନୂତନ ସମୀକରଣ ସୃଷ୍ଟି କରିଛି ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ମାର୍ଚ୍ଚ ୨୦୨୧

ଡ଼ିଜିଟାଲ ମିଡ଼ିଆ ଆଚ଼ରଣ ସଂହିତା ୨୦୨୧

ସୂଚ଼ନା ପ୍ରୋଦ୍ୟୋଗିକୀ (ମଧ୍ୟସ୍ଥିଙ୍କ ନିମନ୍ତେ ନିର୍ଦ୍ଦେଶାବଳୀ – ଡିଜିଟାଲ ମିଡିଆ ଆଚ଼ରଣ ସଂହିତା) ନିୟମ ୨୦୨୧ ଅନୁଯାୟୀ ଡିଜିଟାଲ ମଞ୍ଚରେ ପ୍ରକାଶନ ଓ ପ୍ରସାରଣ ନିମନ୍ତେ ଆଚ଼ରଣବିଧି ପ୍ରବର୍ତ୍ତନ କରାଯାଇଛି । ଆଚ଼ରଣ ସଂହିତା ନୈତିକତା ଆଧାରିତ । ଆଇନ ଓ ନୈତିକତା ମଧ୍ୟରେ ପ୍ରଭେଦ ଏହି ଯେ ଆଇନରେ ନାଗରିକମାନେ କ’ଣ କରିବା ଓ କ’ଣ ନକରିବା ଉଚିତ ତଥା ଆଇନ ଅମାନ୍ୟକଲେ କ’ଣ ଦଣ୍ଡ ଭୋଗିବାକୁ ହେବ ଉଲ୍ଲେଖ ରହିଥାଏ । ଅପରପକ୍ଷେ ନୈତିକତା ଉଚ଼ିତ ପଥ ପ୍ରଦର୍ଶନର ଦାୟିତ୍ୱ ନିର୍ବାହ କରେ ।


 

ଭାରତରେ କ୍ରମବିକଶିତ ଡିଜିଟାଲ ମଞ୍ଚରେ ପ୍ରକାଶନ ଓ ପ୍ରସାରଣ ନିମନ୍ତେ ସ୍ୱତନ୍ତ୍ରଭାବେ କୌଣସି ଆଇନ ପ୍ରଣୀତ ହୋଇନଥିଲା । ଦେଶରେ ପ୍ରଚଳିତ ସାଧାରଣ ଆଇନାବଳୀ ଉପଯୋଗରେ ଡିଜିଟାଲ ମଞ୍ଚରେ ତୃଟିବିଚ୍ୟୁତି ନିୟନ୍ତ୍ରିତ ହେଉଥିଲା । ଇନଫରମେସନ ଟେକନୋଲଜି ଆକ୍ଟ ୨୦୦୦ ଆଇନ ସାଙ୍ଗକୁ ଇନଫରମେସନ ଟେକନୋଲଜି (ପ୍ରେସିଡ୍ୟୁର ଏଣ୍ଡ ସେଫଗାର୍ଡସ ଫର ବ୍ଳକିଂ ଫର ଏସେସ ଅଫ ଇନଫରମେସନ ବାଇ ପବ୍ଳିକ) ରୁଲସ ୨୦୦୯ ଓ ଇନଫରମେସନ ଟେକନୋଲଜି (ଇଣ୍ଟରମିଡିଆରି ଗାଇଡ଼ଲାଇନ୍ସ) ରୁଲସ ୨୦୧୧ ଇତ୍ୟାଦି ଏଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା ।


 

ଡ଼ିଜିଟାଲ ମିଡ଼ିଆ ନିୟମ ୨୦୨୧ର ପରିଶିଷ୍ଟିରେ ସମ୍ୱାଦ ଓ ସାଂପ୍ରତିକ ପ୍ରସଙ୍ଗ ‘ନିଉଜ ଏଣ୍ଡ କରେଣ୍ଟ ଏଫାୟର୍ସ’, ଅନଲାଇନ ସଂକଳିତ ଉପାଦାନ ‘ଅନଲାଇନ କ୍ୟୁରେଟେଡ଼ କଣ୍ଟେଣ୍ଟ’ ଏବଂ ବିଜ୍ଞାପନ ତିନିଗୋଟି ବର୍ଗରେ ଉପଯୋଗ ଲାଗି ଆଦର୍ଶ ଆଚ଼ରଣବିଧି ବର୍ଣ୍ଣନା କରାଯାଇଛି ।


 

ପ୍ରଥମତଃ, ନିଉଜ ଏଣ୍ଡ କରେଣ୍ଟ ଏଫୟର୍ସ ପ୍ରକାଶନ କାଳରେ ଡିଜିଟାଲ ପ୍ରକାଶକମାନେ ପ୍ରେସ କାଉନସିଲ ନିର୍ଦ୍ଧାରିତ ସାଂବାଦିକଙ୍କ ଆଚ଼ରଣ ସଂହିତା ଏବଂ କେବଲ ଟେଲିଭିଜନ ନେଟୱାର୍କ (ରେଗୁଲେସନ) ଆକ୍ଟର ଧାରା ୫ ଅନ୍ତର୍ଗତ ପ୍ରୋଗ୍ରାମ କୋଡ଼ ଅନୁପାଳନ କରିବେ । ଏତଦ୍ ସଙ୍ଗେ ପ୍ରଚଳିତ ଆଇନ ଅନୁଯାୟୀ କିମ୍ୱା ଅଦାଲଦଙ୍କ ଆଦେଶ ସଂବଳିତ ନିଷିଦ୍ଧ କୌଣସି କଣ୍ଟେଣ୍ଟ ପ୍ରକାଶନ ବା ପ୍ରସାରଣ କରିବେ ନାହିଁ ।


 

ଦ୍ୱିତୀୟତଃ, ଅନଲାଇନ କ୍ୟୁରେଟଡ଼ କଣ୍ଟେଣ୍ଟ ପ୍ରସାରଣ କାଳରେ ବିଷୟବସ୍ତୁ ଅନୁଯାୟୀ ଉପଭୋକ୍ତା ବର୍ଗୀକରଣ କରିବେ । ଶିଶୁଙ୍କ ସମେତ ସମସ୍ତ ବୟସ ବର୍ଗ ନିମନ୍ତେ ପ୍ରସ୍ତୁତ କଣ୍ଟେଣ୍ଟ ୟୁନିଭରସାଲ ବା ‘ୟୁ’, ଅଭିଭାବକଙ୍କ ତତ୍ତ୍ୱାବଧାନରେ ସାତବର୍ଷରୁ କମ ତଥା ସ୍ୱାଧୀନଭାବେ ସାତ ବର୍ଷରୁ ଉର୍ଦ୍ଧ୍ୱ କିଶୋରଙ୍କ ନିମନ୍ତେ ‘ୟୁନିଭରସାଲ / ଏଡ଼ଲଟ ୭+’ ବା ‘ୟୁ / ଏ ୭+’, ଅଭିଭାବକଙ୍କ ତତ୍ତ୍ୱାବଧାନରେ ଷୋହଳ ବର୍ଷରୁ କମ ତଥା ସ୍ୱାଧୀନଭାବେ ଷୋହଳ ବର୍ଷରୁ ଉର୍ଦ୍ଧ୍ୱ କିଶୋରଙ୍କ ନିମନ୍ତେ ‘ୟୁନିଭରସାଲ / ଏଡ଼ଲଟ ୧୬ +’ ବା ‘ୟୁ / ଏ ୧୬+’ ଏବଂ କେବଳ ପ୍ରାପ୍ତବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ କଣ୍ଟେଣ୍ଟ ‘ଏଡ଼ଲଟ’ ବା ‘ଏ’ ଚ଼ିହ୍ନିତ ହେବ ।


 

କ୍ୟୁରେଟେଡ଼ କଣ୍ଟେଣ୍ଟ ପ୍ରକାଶନ କାଳରେ ସଂପୃକ୍ତ ବିଷୟବସ୍ତୁ ନିମନ୍ତେ ନିର୍ଦ୍ଧାରିତ ବୟସଭିତ୍ତିକ ଉପଭୋକ୍ତା ବର୍ଗୀକରଣ ସ୍ୱଷ୍ଟଭାବେ ପ୍ରଦର୍ଶିତ ହେବା ବିଧେୟ । ବର୍ଗୀକରଣ କାଳରେ କଣ୍ଟେଣ୍ଟର ବିଷୟବସ୍ତୁ ହିଂସା, ନଗ୍ନତା, ଯୌନତା, ଭୟ, ନିଶାଦ୍ରବ୍ୟ ବ୍ୟବହାର ଇତ୍ୟାଦି କେତେ ମାତ୍ରାରେ କେଉଁ ଢ଼ଙ୍ଗରେ ସନ୍ନିବଶିତ ତାହା ବିଚାରକୁ ନେବେ । ଏଥିନିମନ୍ତେ ପ୍ରକାଶିତ ନିୟମ ଅନ୍ତର୍ଗତ ସେଡ୍ୟୁଲରେ ବିସ୍ତୃତ ସୂଚନା ସଂଲଗ୍ନ କରାଯାଇଛି ।


 

ପ୍ରସ୍ତୁତ କାର୍ଯ୍ୟକ୍ରମର ବିଷୟବସ୍ତୁ ‘ଥିମ’, ପ୍ରାସଙ୍ଗିକତା ‘କଣ୍ଟେକ୍ସଟ’, ଦର୍ଶକ ‘ଟାରଗେଟ ଅଡ଼ିଏନ୍ସ’ ଓ ପ୍ରଭାବ ‘ଟୋନ ଏଣ୍ଡ ଇମ୍ପେକ୍ଟ’କୁ ଉପଭୋକ୍ତା ବର୍ଗୀକରଣରେ ପ୍ରାଧାନ୍ୟ ଦିଆଯିବ । ଉଦାହରଣରେ ଓଭର-ଦି-ଟପ ପ୍ଳାଟଫରମ ନିମନ୍ତେ ପ୍ରଯୋଜିତ ଚଳଚ଼ିତ୍ର ଓ ଧାରାବାହିକଗୁଡ଼ିକରେ ହିଂସା, ଯୌନତା, ନିଶାଦ୍ରବ୍ୟ ବ୍ୟବହାର ଇତ୍ୟାଦି ସଂପର୍କୀତ ବିଷୟବସ୍ତୁ ନାବାଳକମାନଙ୍କ ପାଇଁ ଅନୁପଯୁକ୍ତ ଘୋଷିତ ହେବ । ସେହିପରି ଚଳଚ଼ିତ୍ରରେ କାହାଣୀର ସମୟଭିତ୍ତିକ ଜନଜୀବନ ଚ଼ିତ୍ରିତ କଲାବେଳେ ସାଂପ୍ରତିକ ସାମାଜିକ ବ୍ୟବସ୍ଥାରେ ପ୍ରଭାବ ସଂପର୍କରେ ମଧ୍ୟ ଦୃଷ୍ଟି ରଖିବାକୁ ପଡ଼ିବ ।


 

ଡ଼ିଜିଟାଲ ମଞ୍ଚଗୁଡ଼ିକରେ ପ୍ରଦର୍ଶିତ ଚଳଚ଼ିତ୍ର ଓ ଧାରାବାହିକଗୁଡ଼ିକ ଜାତି, ବର୍ଣ୍ଣ, ଲିଙ୍ଗ, ଧର୍ମ ଓ ଦିବ୍ୟାଙ୍ଗଙ୍କ ପ୍ରତି ଆକ୍ଷେପରୁ ନିବୃତ୍ତ ରହିବ । ବିଷୟବସ୍ତୁ ଉଭୟ ଦୃଶ୍ୟ ଓ ସଂଳାପରେ ନିଶା ସେବନକୁ ଗୌରବାନ୍ୱିତ କରାଯାଉଥିବା ସ୍ଥଳେ ବୟସ୍କ ଦର୍ଶକମାନଙ୍କ ପାଇଁ ଅନୁମୋଦନ ତଥା ନିଶା ସେବନକୁ ସମାଲୋଚନା କରାଯାଉଥିବା ସ୍ଥଳେ କମ ବୟସ୍କଙ୍କ ପାଇଁ ଅନୁମୋଦିତ ହୋଇପାରିବ । ଅପରାଧ ଓ ଅପରାଧିଙ୍କ ପ୍ରଶସ୍ତି ଏବଂ ମାରଣାସ୍ତ୍ର ବ୍ୟବହାର, ଅସାମାଜିକ ଆଚ଼ରଣକୁ ନିରୁତ୍ସାହିତ କରାଯିବ । ଚଳଚ଼ିତ୍ର ଓ ଧାରାବାହିକରେ ପ୍ରଦର୍ଶିତ ଚରିତ୍ରମାନଙ୍କୁ ଶିଶୁ, କିଶୋର ଓ ଯୁବକମାନେ ଅନୁକରଣ ଧାରା ସମାଜରେ ପ୍ରଚଳିତ । ଏହି କାରଣରୁ ପ୍ରଦର୍ଶିତ କାର୍ଯ୍ୟକ୍ରମରେ ସାଧ୍ୟମତେ ହିଂସ୍ର ଓ ଭୟଙ୍କର ଦୃଶ୍ୟାବଳୀ ବାଦ ଦିଆଯିବା ନିମନ୍ତେ ଉଦ୍ୟମ କରାଯିବା ସ୍ଥଳେ ଦର୍ଶକବର୍ଗ ବିଭକ୍ତିରେ ଉପରସ୍ତର ଅନ୍ତର୍ଗତ କେବଳ ବୟସ୍କ ‘ଏ’ ସୂଚ଼ିତ ହେବ ।


 

ଉଲଗ୍ନ ଶରୀର, ସଂଭୋଗ ଦୃଶ୍ୟ ପ୍ରାପ୍ତବୟସ୍କଙ୍କ ନିମନ୍ତେ ଅନୁମୋଦନ ସଙ୍ଗେ ହିଂସା, ଭୟଙ୍କର ଦୃଶ୍ୟାବଳୀ ମଧ୍ୟ ସେହିସ୍ତରର ଦର୍ଶକଙ୍କ ନିମନ୍ତେ ସଂରକ୍ଷିତ ରହିବ । ଭାଷାର ବ୍ୟବହାରରେ ସଂଯମ ଆଚ଼ରଣ ପ୍ରତି ଧ୍ୟାନ ଦିଆଯିବ । ପ୍ରାପ୍ତବୟସ୍କଙ୍କ ନିମନ୍ତେ ନିର୍ଦ୍ଧାରିତ କାର୍ଯ୍ୟକ୍ରମଗୁଡ଼ିକ ପ୍ରଚଳିତ ଆଇନକାନୁନର ବିରୁଦ୍ଧାଚରଣ କରିବା ନିଷେଧ । ଅଶ୍ଳିଳ ଚଳଚ଼ିତ୍ର ଆମଦେଶରେ ଆଇନତଃ ନିଷିଦ୍ଧ ।


 

ପ୍ରତ୍ୟେକ କାର୍ଯ୍ୟକ୍ରମ ଆରମ୍ଭରେ ଉପଭୋକ୍ତା ବର୍ଗୀକରଣ ସୂଚ଼ନା ସ୍ୱଷ୍ଟଭାବେ ପ୍ରଦର୍ଶିତ ହେବ । ଏତଦ୍ୱାରା କାର୍ଯ୍ୟକ୍ରମ ଦେଖିବା ଆଗରୁ ଦର୍ଶକମାନେ କଣ୍ଟେଣ୍ଟ ସଂପର୍କରେ ଅବଗତ ହୋଇ ସୂଚ଼ିତ ନିଷ୍ପତ୍ତି ‘ଇନଫରମଡ଼ ଡେସିସେନ’ ନେଇପାରିବେ । ପ୍ରାପ୍ତବୟସ୍କଙ୍କ ନିମନ୍ତେ କଣ୍ଟେଣ୍ଟ ପ୍ରଦର୍ଶନ କାଳରେ ତାହା ଯେପରି ଶିଶୁ ଓ କିଶୋରବର୍ଗର ଦର୍ଶକ ଦେଖିପାରିବେ ନାହିଁ ସେଥିନିମନ୍ତେ ଅଭିଭାବକତ୍ୱ ତାଲା ‘ପେରେଣ୍ଟାଲ ଲକ’ ପ୍ରାବଧାନ ରହିବ । ସେହିପରି ଉପଭୋକ୍ତାଙ୍କ ବୟସ ତନଖିବା ନିମନ୍ତେ ବ୍ୟବସ୍ଥା କରାଯିବ । ଡ଼ିଜିଟାଲ କଣ୍ଟେଣ୍ଟ ପ୍ରଦର୍ଶନ ସଂକ୍ରାନ୍ତୀୟ ପ୍ରଚାର ସାମଗ୍ରୀରେ ମଧ୍ୟ ଉପଭୋକ୍ତା ବର୍ଗୀକରଣ ସଙ୍କେତ ପ୍ରଦର୍ଶିତ ହେବ । ପ୍ରସାରିତ କଣ୍ଟେଣ୍ଟ ଦିବ୍ୟାଙ୍ଗଙ୍କ ନିମନ୍ତେ ଉପଲବ୍ଧ କରାଇବା ନିମନ୍ତେ ବୈଷୟିକ କୌଶଳ ପ୍ରୟୋଗରେ ଯଥାଯଥ ଉଦ୍ୟମ ନିମନ୍ତେ ପ୍ରକାଶକ ବର୍ଗ ଯତ୍ନଶୀଳ ହେବା ନିମନ୍ତେ ଆଚରଣ ସଂହିତାରେ କୁହାଯାଇଛି ।


 

ତୃତୀୟତଃ, ଡିଜିଟାଲ ମିଡ଼ିଆରେ ବିଜ୍ଞାପନ ପ୍ରଯୋଜନା ଓ ପ୍ରଦର୍ଶନ କାଳରେ କନଜ୍ୟୁମର ପ୍ରୋଟେକସନ ଆକ୍ଟ ୨୦୧୯, କେବଲ ଟେଲିଭିଜନ ନେଟୱାର୍କ୍ସ (ରେଗୁଲେସନ) ଆକ୍ଟ ୧୯୯୫ରେ ବର୍ଣ୍ଣିତ ଏଡ଼ଭାଟାଇଜିଂ କୋଡ଼ ଏବଂ ଏଡ଼ଭାଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଆଚ଼ରଣ ସଂହିତା ଉପଯୋଗ ଲାଗି ଉଲ୍ଲେଖ ରହିଛି ।


 

ଆଚ଼ରଣ ସଂହିତା ପ୍ରଚଳନ ଆତ୍ମନିୟନ୍ତ୍ରଣ ‘ସେଲଫ-ରେଗୁଲେସନ’ର ଅଂଶବିଶେଷ । ନୂତନ ଡିଜିଟାଲ ମିଡ଼ିଆ ନିୟମ ୨୦୨୧ରେ ଦେଶରେ ପ୍ରଚଳିତ ନିୟମାବଳୀ ଅନୁପାଳନ ତଦାରଖ କରିବା ନିମନ୍ତେ ଟେଲିଭିଜନ ଉଦ୍ୟୋଗସମ ଡ଼ିଜିଟାଲ ମିଡ଼ିଆ ନିମନ୍ତେ ଆତ୍ମନିୟନ୍ତ୍ରଣ ବ୍ୟବସ୍ଥା ସୃଷ୍ଟି ଉଦ୍ୟମ କରାଯାଇଛି । ଗଣମାଧ୍ୟମ ବିଶ୍ଳେଷକମାନଙ୍କ ମତରେ ଏକ ପକ୍ଷରେ ଡିଜିଟାଲ ମିଡ଼ିଆରେ ପ୍ରଚଳିତ ବିଧିବ୍ୟବସ୍ଥାର ଉଲଂଘନ ଉପଭୋକ୍ତ।, ପ୍ରକାଶକ ଏବଂ ସରକାରୀକଳ ପ୍ରତ୍ୟେକ କ୍ଷେତ୍ରରେ ବିବାଦୀୟ ପରିବେଶ ସୃଷ୍ଟି କରିଥିବା ସ୍ଥଳେ ଆଚ଼ରଣବିଧି ପ୍ରଣୟନ ପ୍ରାସଙ୍ଗିକ । ତେବେ ଅପରପକ୍ଷରେ ଆତ୍ମନିୟନ୍ତ୍ରଣ ବ୍ୟବସ୍ଥାକୁ ସଂପୂର୍ଣ୍ଣରୂପେ ସରକାରୀ ନିୟନ୍ତ୍ରଣମୁକ୍ତ ରଖାନଯାଇପାରିଥିବା ଏବଂ ଅଭିଯୋଗ ସମାଧାନ କ୍ଷେତ୍ରରେ ଶୀର୍ଷ ନିୟାମକଭାବେ ସରକାରୀ କର୍ମଚାରୀମାନେ ସଂପୃକ୍ତ ରହିବା ବ୍ୟବସ୍ଥା ସମାଲୋଚ଼ନାର ଶରବ୍ୟ ହୋଇଛି ।    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୨ ମାର୍ଚ୍ଚ ୨୦୨୧


ତଥ୍ୟ :



Information Technology (Intermediary Guidelines and Digital Media Ethics Code) Rules 2021

ଡ଼ିଜିଟାଲ ମିଡ଼ିଆ ନିୟମ ବିବାଦ

ନୂତନ ଡ଼ିଜିଟାଲ ମିଡ଼ିଆ ନିୟମ ୨୦୨୧ ଫେବୃୟାରୀ ଶେଷ ସପ୍ତାହରେ ବିଜ୍ଞପ୍ତି ଆକାରରେ ପ୍ରକାଶିତ ହୋଇଥିବା ସ୍ଥଳେ ତିନିମାସ ପରେ ମେ’ ମାସ ଶେଷ ସୁଦ୍ଧା କାର୍ଯ୍ୟକାରୀ କରାଯିବା ପ୍ରାବଧାନ ରହିଛି । ଏହି ନିୟମାବଳୀ ଫେସବୁକ, ଟୁଇଟର ଭଳି ସୋସିଆଲ ମିଡ଼ିଆ ମଧ୍ୟସ୍ଥି ‘ଇଣ୍ଟରମିଡ଼ିଆରି’ ହ୍ୱାଟସଆପ, ସିଗନାଲ ଭଳି ମେସେଜିଂ ଆପ୍ଲିକେସନ, ନେଟଫ୍ଳିକ୍ସ, ଆମେଜନ ପ୍ରାଇମ ଭଳି ଓଭର-ଦି-ଟପ ପ୍ଳାଟଫରମ ସାଙ୍ଗକୁ ଦି ୱାଏର, କ୍ୟୁଇଣ୍ଟ ଭଳି ସମ୍ୱାଦଭିତ୍ତିକ ନିଉଜ ପୋର୍ଟାଲଗୁଡ଼ିକ ନିମନ୍ତେ ପ୍ରଯୁଜ୍ୟ । ଭାରତରେ ପଚାଶ ଲକ୍ଷରୁ ଉର୍ଦ୍ଧ୍ୱ ପଞ୍ଜୀକୃତ ଉପଭୋକ୍ତା ‘ରେଜିଷ୍ଟାର୍ଡ ୟୁଜର୍ସ’ ସଂବଳିତ ଦେଶୀୟ ଓ ବୈଦେଶିକ ସୋସିଆଲ ମିଡ଼ିଆ ଇଣ୍ଟରମିଡ଼ିଆରି, ମେସେଜିଂ ଆପ୍ଲିକେସନ ଓ ଓଟିଟି ପ୍ଲାଟଫରମଗୁଡ଼ିକ ନୂତନ ନିୟମାବଳୀର କେତେକ ବିଶେଷ କଟକଣା ପାଳନ କରିବେ ।


 

ଆଇନ ଉପଯୋଗରେ ତତ୍ ଜନିତ ନମନୀୟତା କିମ୍ୱା କଠୋରତା ଶାସିତକୁ ପ୍ରଭାବିତ କରିଥାଏ । ଭାରତ ଦୀର୍ଘକାଳ ଧରି ବ୍ରିଟିଶ ଶାସନାଧୀନ ରହିଥିଲା । ଦେଶରେ ପ୍ରଚଳିତ ବହୁ ଆଇନର ମୂଳଊତ୍ସ ବ୍ରିଟିଶ ଶାସନ କାଳରୁ ସୃଷ୍ଟ । ବ୍ରିଟେନର ଆଇନକାନୁନ ଅନୁସରଣରେ ଏଠାକାର ଆଇନାବଳୀ ପ୍ରଣୀତ ହୋଇଥିଲା । ତେବେ ଭାରତୀୟ ଜନଜୀବନ, ରାଜନୀତି ଓ ନ୍ୟାୟାଳୟ ପରମ୍ପରାରେ ବ୍ରିଟିଶ ଅନୁଭୂତି ଖୋଜି ପାଇବା କଷ୍ଟକର । ଫଳତଃ ସ୍ଥଳବିଶେଷରେ ସ୍ଥାନୀୟ ପ୍ରଶାସନର କଠୋର ଆଭିମୁଖ୍ୟ ଆଇନାବଳୀର ଉପଯୋଗରେ ଜନହିତବିରୋଧୀ ସାବ୍ୟସ୍ତ ହୋଇଥାଏ ।


 

ଉଦାହରଣରେ ନୂତନ ଡ଼ିଜିଟାଲ ମିଡ଼ିଆ ନିୟମ ୨୦୨୧ ପ୍ରସଙ୍ଗକୁ ହିଁ ବିଚାରକୁ ନିଆଯାଉ । ଏହି ନିୟମାବଳୀ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୫ ଫେବୃୟାରୀ ୨୦୨୧ରେ ବିଜ୍ଞପ୍ତ ହେବା ପରେ ସପ୍ତାହକ ନପୂରଣୁ ମାର୍ଚ୍ଚ ପହିଲାରେ ମଣିପୁରର ଦୁଇଜଣ ସାମ୍ୱାଦିକଙ୍କୁ ଏହି ନିୟମ ବିରୁଦ୍ଧାଚାରଣ କରୁଥିବା ଅଭିଯୋଗକରି ଇମ୍ପାଲ ପଶ୍ଚିମର ଡ଼େପୁଟୀ ପୋଲିସ କମିସନର ନୋଟିସ ଜାରୀ କରିଥିଲେ । ଏହି ଖବର ପ୍ରଘଟ ହେବାପରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମଣିପୁର ଚିଫ ସେକ୍ରେଟରୀଙ୍କୁ ପ୍ରସ୍ତାବିତ ନିୟମାବଳୀ ଉପଯୋଗ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ କ୍ଷମତା ଦିଆ ନଯାଇଥିବା ନେଇ ସ୍ୱଷ୍ଟୀକରଣ ଜଣାଇବା ପରେ ତୁରନ୍ତ ନୋଟିସ ପ୍ରତ୍ୟାହାର କରାଯାଇଥିଲା ।


 

ଇମ୍ପାଲରୁ ପ୍ରକାଶିତ ଡିଜିଟାଲ ମିଡ଼ିଆ ସମ୍ୱାଦ ମଞ୍ଚ ‘ଦି ଫ୍ରଣ୍ଟିୟର ମଣିପୁର’ର ପରିଚାଳନା ସମ୍ପାଦକ ଓ ସହଯୋଗୀ ସମ୍ପାଦକ ଦୁଇ ଜଣ ସ୍ଥାନୀୟ ସ୍ୱାଧୀନ ସାମ୍ୱାଦିକଙ୍କ ସହ ‘ମିଡ଼ିଆ ଅଣ୍ଡର ସିଜ : ଆର ଜର୍ଣ୍ଣାଲିଷ୍ଟସ ୱାକିଂ ଏ ଟାଇଟ ରୋପ’ ଶୀର୍ଷକ ଆଲୋଚ଼ନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟମ ପ୍ରକାଶନର ତିନିଦିନ ପରେ ଫେବୃୟାରୀ ୨୮ ତାରିଖ ଦିନ ପ୍ରସାରିତ ହୋଇଥିଲା । ପରିଚାଳନା ସଂପାଦକଙ୍କ ଦ୍ୱାରା ଗଣମାଧ୍ୟମରେ ପ୍ରକାଶିତ ବିବୃତ୍ତି ଅନୁଯାୟୀ ଛଅ-ସାତଜଣ ସଶସ୍ତ୍ର ପୋଲିସ ମାର୍ଚ୍ଚ ପହିଲା ସକାଳ ୯ଟାରେ ତାଙ୍କରି ବାସଭବନରେ ପହଞ୍ଚି ନୋଟିସ ପ୍ରଦାନ କରିଥିଲେ । ସନ୍ଧ୍ୟାରେ ପରିବାରବର୍ଗଙ୍କଠାରୁ ତାଙ୍କରି ଘରଦ୍ୱାର ନିକଟରେ ପ୍ରତ୍ୟାହାର ପତ୍ର ଲଟକାଇ ଦିଆଯାଇଥିବା ସେ ଜାଣିବାକୁ ପାଇଥିଲେ ।


 

ସୂଚନା ପ୍ରାଦ୍ୟୋଗିକୀ ‘ଇନଫରମେସନ ଟେକନୋଲଜି’ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ସୀମିତ ଜ୍ଞାନ ଥିବା ସ୍ୱାଭାବିକ । ଏହି କାରଣରୁ ଚଳିତ ଶତାଦ୍ଦୀର ଦ୍ୱିତୀୟ ଦଶନ୍ଧି ଆରମ୍ଭରୁ ଆଇଟି ନିୟମାବଳୀ ଉପଯୋଗରେ ସରକାରୀ କଳ ପକ୍ଷରୁ ଗୁରୁତର ତୃଟିର ବହୁ ଘଟଣା ଚର୍ଚ୍ଚିତ ହୋଇ ଆସିଛି । ସ୍ଥଳବିଶେଷରେ ନ୍ୟାୟାଳୟପକ୍ଷରୁ ହସ୍ତକ୍ଷେପ କରାଯାଇ ପରିସ୍ଥିତିରେ ସୁଧାର ଅଣାଯିବା ପାଇଁ ଉଦ୍ୟମ ହୋଇଛି । ମଣିପୁର ଉଦାହରଣରେ ଦିଲ୍ଲୀଠାରୁ ବହୁ ଦୂର ଇମ୍ପାଲରେ ଚାରିଜଣ ସାମ୍ୱାଦିକ ସରକାରଙ୍କ ଦ୍ୱାରା ପ୍ରଣୀତ ଗଣମାଧ୍ୟମ ସଂପର୍କୀତ ଏକ ନିୟମାବଳୀ ଅନଲାଇନରେ ତର୍ଜମା କରିବା ପରେ ସେଠାକାର ଜଣେ ପଦସ୍ଥ ପୋଲିସ ଅଧିକାରୀ ଆଲୋଚ଼ନା ସଂପର୍କୀତ ସମସ୍ତ କାଗଜପତ୍ର ତୁରନ୍ତ ଜମା କରିବା ନଚ଼େତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଧମକ ଦେଇଥିଲେ । ଆଇନ ଓ ନିୟମାବଳୀକୁ ସରକାରୀ କଳ କିପରି ଅପବ୍ୟବହାର ଉଦ୍ୟମ କରିପାରନ୍ତି ଏହିଭଳି ଘଟଣାରୁ ସୁସ୍ପଷ୍ଟ ।


 

ସୂଚନା ପ୍ରାଦ୍ୟୋଗିକୀ (ମଧ୍ୟସ୍ଥିଙ୍କ ନିମନ୍ତେ ନିର୍ଦ୍ଦେଶାବଳୀ – ଡିଜିଟାଲ ମିଡ଼ିଆ ଆଚାର ସଂହିତା) ନିୟମ ୨୦୨୧ ‘ଇନଫରମେସନ ଟେକନୋଲଜି (ଗାଇଡ଼ଲାଇନ୍ସ ଫର ଇଣ୍ଟରମିଡ଼ିଆରି ଏଣ୍ଡ ଡିଜିଟାଲ ମିଡ଼ିଆ ଏଥିକ୍ସ କୋଡ଼) ରୁଲସ ୨୦୨୧’  ପ୍ରକାଶିତ ହେବାପରେ ଦେଶର ସମ୍ୱାଦମଞ୍ଚ ସମୂହର ଶୀର୍ଷ ସଂଗଠନ ‘ଦି ଏଡ଼ିଟରର୍ସ ଗିଲଡ଼ ଅଫ ଇଣ୍ଡିଆ’ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଏହି ନିୟମ ପ୍ରଣୟନ ପୂର୍ବରୁ ଓଟିଟି ମଞ୍ଚ ସହ ଆଲୋଚନା ହୋଇଥିବା ସତ୍ତ୍ୱେ ଡିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଡିଜିଟାଲ ସମ୍ୱାଦ ମଞ୍ଚ ସମୂହ ସହ ବିଚାର ବିମର୍ଷ ଯାଏଁ ନିୟମ କାର୍ଯ୍ୟକାରିତାରୁ ବିରତ ରଖାଯିବା ନିମନ୍ତେ ଦାବୀ କରାଯାଇଛି ।


 

ସେହିପରି ଦେଶର ଡିଜିଟାଲ ସମ୍ୱାଦ ପ୍ରକାଶକମାନଙ୍କ ଶୀର୍ଷ ସଂଗଠନ ‘ଡିଜିପବ ନିଉଜ ଇଣ୍ଡିଆ ଫାଉଣ୍ଡେସନ’ ପକ୍ଷରୁ ଯୁଗ୍ମ ଭାବେ ଆଇଟି ଓ ଆଇ-ଏଣ୍ଡ-ବି ମନ୍ତ୍ରୀଙ୍କୁ ସମ୍ୱୋଧନ କରି ନୂତନ ନିୟମାବଳୀ ଡିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକର ଅଭିବ୍ୟକ୍ତିରେ ସ୍ୱାଧୀନତା କ୍ଷୁର୍ଣ୍ଣ କରିବ ବୋଲି ଅଭିଯୋଗ ବାଢ଼ିଥିଲେ । ନିୟମାବଳୀର ଧାରା ୧୪ ଅନୁଯାୟୀ ସରକାରଙ୍କ ଦ୍ୱାରା ଡିଜିଟାଲ ମଞ୍ଚରେ ପ୍ରକାଶିତ ସମ୍ୱାଦକୁ ହଟାଇ ଦିଆଯିବାର ପ୍ରାବଧାନ ନାଗରିକଙ୍କ କଣ୍ଠରୋଧରେ ପର୍ଯ୍ୟବସିତ ହେବ ବୋଲି କୁହାଯାଇଛି । ପ୍ରଚଳିତ ଆଇନ ଓ ନିୟମାବଳୀ ଅନୁଯାୟୀ ସମ୍ୱାଦ ମଞ୍ଚଗୁଡ଼ିକୁ ନିୟନ୍ତ୍ରିତ କରିବା ସମ୍ଭବ ଥିବା ସ୍ଥଳେ ନୂତନ ନିୟମ ଅନାବଶ୍ୟକ ବୋଲି ସୂଚିତ କରାଯାଇଛି ।


 

ଦୁଇଗୋଟି ଡିଜିଟାଲ ସମ୍ୱାଦମଞ୍ଚ ‘ଦି ୱାଏର’ର ପ୍ରକାଶକ ଫାଉଣ୍ଡେସନ ଫର ଇଣ୍ଡିପେଣ୍ଡେଣ୍ଟ ଜର୍ଣ୍ଣାଲିଜମ ଓ ‘କ୍ୟୁଇଣ୍ଟ’ର ପ୍ରକାଶକ କ୍ୟୁଇଣ୍ଟ ଡ଼ିଜିଟାଲ ମିଡ଼ିଆ ଲିମିଟେଡ଼ ପକ୍ଷରୁ ଦିଲ୍ଲୀ ହାଇକୋର୍ଟ ଏବଂ ଆଇନ ସମ୍ୱାଦମଞ୍ଚ ‘ଲାଇଭ ଲ’ ପକ୍ଷରୁ କେରଳ ହାଇକୋର୍ଟରେ ପ୍ରଣୀତ ନିୟମାବଳୀର ସାମ୍ୱିଧାନିକ ଓ ଆଇନଗତ ବୈଧତାକୁ ପ୍ରଶ୍ନ କରି ମକଦ୍ଦମା ଦାୟର କରାଯାଇଛି । ମାମଲା ବିଚାରାଧୀନ ରହିଛି । ଅପରପକ୍ଷେ ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଟିଟି ମଞ୍ଚ ଆମେଜନ ପ୍ରାଇମ ପକ୍ଷରୁ ପ୍ରସାରିତ ୱେବ ସିରିଜ ‘ତାଣ୍ଡବ’ ମାମଲାରେ ମଞ୍ଚର ବ୍ୟାବସାୟିକ ଅଧ୍ୟକ୍ଷାଙ୍କ ଗିରଫଦାରୀ ବିଚାର ଅବସରରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନୂତନ ନିୟମାବଳୀରେ ଉଲଂଘନକାରୀ ଓଟିଟି ମଞ୍ଚଗୁଡ଼ିକୁ ଦଣ୍ଡବିଧାନର ପ୍ରାବଧାନ ନଥିବା ନେଇ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସଲିସେଟର ଜେନେରାଲ ସରକାର ପୁଣି ଏକ ଚିଠା ପ୍ରସ୍ତୁତ କରିବା ନିମନ୍ତେ ପ୍ରସ୍ତୁତ ଥିବା ସୂଚାଇଥିଲେ । ଏଭଳି ଆଇନ ବା ନିୟମର ଚିଠା ପ୍ରସ୍ତୁତ ହେଲେ କୋର୍ଟଙ୍କଠାରେ ଦଖଲ କରିବା ନିମନ୍ତେ ବିଚାରପତି ଆଦେଶ ଦେଇଥିଲେ ।


 

ନିୟମର ତୃତୀୟ ଭାଗ ଧାରା-୧୬ ଅନୁଯାୟୀ କେନ୍ଦ୍ର ସରକାରଙ୍କ ସୂଚ଼ନା ଓ ପ୍ରସାରଣ ମନ୍ତ୍ରଣାଳୟର ସେକ୍ରେଟରୀଙ୍କୁ ଜରୁରି ପରିସ୍ଥିତିରେ ଯେକୌଣସି ଅନଲାଇନ ପ୍ରକାଶନ ହଟାଇ ଦିଆଯିବା ଅଧିକାର ସଂପର୍କରେ ବିଭିନ୍ନସ୍ତରରେ ସମାଲୋଚନା ହେବା ପରେ ସଂପୃକ୍ତ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି ଯେ ୧୧ ବର୍ଷ ପୂର୍ବରୁ ପ୍ରଚଳିତ 'ଇନଫରମେସନ ଟେକନୋଲଜି (ପ୍ରୋସିଡ୍ୟୁର ଏଣ୍ଡ ସେଫଗାର୍ଡସ ଫର ବ୍ଳକିଂ ଫର ଏସେସ ଅଫ ଇନଫରମେସନ ବାଇ ପବ୍ଳିକ) ରୁଲସ ୨୦୦୯‘ ଅନୁଯାୟୀ ଏହି ଅଧିକାର ଇନଫରମେସନ ଟେକନୋଲୋଜି ମନ୍ତ୍ରଣାଳାୟର ସେକ୍ରେଟରୀ ଉପଭୋଗ କରିଆସିଛନ୍ତି । ନୂତନ ନିୟମରେ ସେହି କ୍ଷମତା କେବଳ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସେକ୍ରେଟରୀଙ୍କୁ ହସ୍ତାନ୍ତରିତ ହୋଇଛି ।


 

ଡ଼ିଜିଟାଲ ମିଡ଼ିଆ ନିୟମକୁ ନେଇ ବାଦବିବାଦ ଲାଗି ରହିଥିବା, ଅଦାଲତି କାରବାର ଆରମ୍ଭ ହୋଇସାରିଥିବା ସ୍ଥଳେ ମେ’ମାସ ଶେଷରୁ ନୂତନ ପଦ୍ଧତିଲାଗୁ କରାଯିବା ପରେ ଅନଲାଇନ ପରିବେଶରେ କେତେକ ପରିବର୍ତ୍ତନ ଆଶା କରାଯାଇପାରେ । ଆଇଟି ଶିଳ୍ପର ଅନ୍ୟତମ ଶୀର୍ଷ ସଂଗଠନ ‘ନାସକମ’ ପକ୍ଷରୁ ନିୟମ ପ୍ରଣୟନ କାଳରେ ପ୍ରତିକ୍ରିୟା ପ୍ରକାଶ କରି କୁହାଯାଇଥିଲା ଯେ ଅସତ୍ୟ ସମ୍ୱାଦ ପ୍ରସାରଣକୁ ରୋକିବା, ଅନଲାଇନରେ ଉପଭୋକ୍ତାଙ୍କ ସୁରକ୍ଷା ଓ ଅଭିଯୋଗ ସମାଧାନ ନିମନ୍ତେ ପ୍ରସ୍ତାବିତ ନିୟମାବଳୀର ଉପଯୋଗ ହିଁ ଏହାର ଉପାଦୟତା କିମ୍ୱା ଅପକାରିତା ପ୍ରମାଣିତ କରିବ । ଅନେକ ଦୃଷ୍ଟିରୁ ଏହି ବିଚାରଧାରା ପ୍ରାସଙ୍ଗିକ ମନେ ହୁଏ ।     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୨୧


ତଥ୍ୟ:



2 Manipur journalists get notice under new rules. The Hindu. (Cuttack Edition). March 3, 2021.


 

‘Put off IT rules, consult stackholders’. The Hindu (Cuttack Edition). March 7, 2021.


 

Rajgopal, Krishnadas. SC says new rules to regulate OTT platforms lack teeth. The Hindu (Cuttack Edition). March 6, 2021


 

‘Provision to block content under IT rules not new’. The Hindu (Cuttack Edition). February 28, 2021.


 

Nasscom stresses on right implementation. Business Standard  (Bhubaneswar Edition). February 27, 2021.

କେବଲ ଟେଲିଭିଜନ ନେଟୱାର୍କ ରୁଲସ ସଂଶୋଧନ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ୟ ଗଣମାଧ୍ୟମଗୁଡ଼ିକ ସହ ଘରୋଇ ଉପଗ୍ରହଭିତ୍ତିକ ଟେଲିଭିଜନ ଓ କେବଲ ଟେଲିଭିଜନ ପ୍ରସାରଣ ନିୟନ୍ତ୍ରଣ କରିଥାଏ । କେବଲ ଟେଲିଭିଜନ ନେଟୱାର୍କ ଆକ୍ଟ ୧୯୯୫ ଏହି କ୍ଷେତ୍ରରେ ପ୍ରମୁଖ ମାର୍ଗଦର୍ଶକ । ଆଇନ ପ୍ରଣୟନ ହେବା ବର୍ଷକ ପୂର୍ବରୁ କେବଲ ଟେଲିଭିଜନ ନେଟୱାର୍କ ରୁଲ ୧୯୯୪ ଲାଗୁ କରାଯାଇଥିଲା । ଉଭୟ ଆଇନ ‘ଆକ୍ଟ’ ଓ ନିୟମ ‘ରୁଲସ’ ବହୁବାର ସଂଶୋଧିତ ହୋଇଆସିଛି । କେବଲ ଟେଲିଭିଜନ ନେଟୱାର୍କ (ଏମେଣ୍ଡମେଣ୍ଟ) ରୁଲସ ୨୦୨୧ ଜୁନ ୧୭ ତାରିଖରେ ଗେଜେଟ ବିଜ୍ଞପ୍ତି ଆକାରରେ ପ୍ରକାଶିତ ହେବାର ମାସକ ପରେ କାର୍ଯ୍ୟକାରୀ ହେବା ନିଷ୍ପତ୍ତି ଗ୍ରହଣ କରାଯାଇଛି ।


 

ଆମ ଦେଶରେ ଜଗତୀକରଣ ଓ ଅର୍ଥନୀତିକ ଉଦାରୀକରଣ ନୀତି ୧୯୯୧ରେ ଲାଗୁ ହେବା ପରେ ଘରୋଇ ଉଦ୍ୟୋଗରେ କେବଲ ଟେଲିଭିଜନ ପ୍ରସାରଣ ଆରମ୍ଭ ହୋଇଥିଲା । ପ୍ରଥମେ ଷ୍ଟାର ଟିଭି ଭଳି ବୈଦେଶିକ ଚ୍ୟାନେଲ ପ୍ରସାରଣ ଆରମ୍ଭ କରିବା ବର୍ଷକ ମଧ୍ୟରେ ସ୍ୱଦେଶୀ ଚ୍ୟାନେଲ ସାମିଲ ହୋଇଥିଲେ । କେବଲ ଟେଲିଭିଜନ ପ୍ରସାରଣ ଆରମ୍ଭ ହେବା ଚାରିବର୍ଷ ମଧ୍ୟରେ ରୁଲ ଓ ପାଞ୍ଚ ବର୍ଷରେ ଆକ୍ଟ ଲାଗୁ ହୋଇଥିଲା । ଟେଲିଭିଜନ ପ୍ରସାରଣ ସମ୍ୱନ୍ଧୀତ ଦର୍ଶକଙ୍କ ଆପତ୍ତି ଅଭିଯୋଗର ସମାଧାନ ନିମନ୍ତେ ପ୍ରତ୍ୟେକ ଚ୍ୟାନେଲ ପକ୍ଷରୁ ଆଭ୍ୟନ୍ତରୀଣ ତଥା ଚ୍ୟାନେଲମାନଙ୍କ ବୃତ୍ତିଭିତ୍ତିକ ଶୀର୍ଷ ସଂଗଠନ ମାଧ୍ୟମରେ ଆତ୍ମ-ନିୟନ୍ତ୍ରଣ ‘ସେଲଫ-ରେଗୁଲେଟିଂ’ ବ୍ୟବସ୍ଥା ପାଳିତ ହୋଇ ଆସିଥିଲା ।


 

ତେବେ ପ୍ରଚଳିତ ଅଭିଯୋଗ ସମାଧାନ ପଦ୍ଧତିର ବୈଧୀକରଣ ନିମନ୍ତେ ସରକାରୀସ୍ତରରେ ଦୀର୍ଘ ଦିନରୁ ପ୍ରୟାସ ଜାରି ରହିଥିଲା । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ସୁପ୍ରିମ କୋର୍ଟ ପକ୍ଷରୁ ୨୦୦୦ରେ ‘କମନ କଜ ବନାମ ୟୁନିୟନ ଅଫ ଇଣ୍ଡିଆ’ ମାମଲାରେ ଏଦିଗରେ ବିହିତ ପଦକ୍ଷେପ ନେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଦେଶରେ ୨୦୨୧ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ୯୦୦ରୁ ଉର୍ଦ୍ଧ୍ୱ ଘରୋଇ ଚ୍ୟାନେଲକୁ ପ୍ରସାରଣ ନିମନ୍ତେ ଅନୁମତି ଦିଆଯାଇଥିବା ଏବଂ ସ୍ଥଳବିଶେଷରେ ପ୍ରସାରକଙ୍କ ପକ୍ଷପାକ୍ଷିତା ନୀତିନିର୍ଦ୍ଧାରଣ ଦ୍ୱାରା ସାଧାରଣ ନାଗରିକ ନ୍ୟାୟ ନିମନ୍ତେ ଅଦାଲତର ଦ୍ୱାରସ୍ଥ ହେଉଥିବା ଘଟଣା ବୃଦ୍ଧି ସରକାରୀ ନୀତିନିୟମ ସଂଶୋଧନ ସପକ୍ଷରେ ଯାଏ । ସର୍ବୋପରି ଗଣମାଧ୍ୟମ ବିଚାରଣା ‘ମିଡ଼ିଆ ଟ୍ରାଏଲ’ ଦ୍ୱାରା ବ୍ୟକ୍ତିବିଶେଷ ସର୍ବସାଧାରଣରେ ନିନ୍ଦିତ ହେଉଥିବା ତଥା ପ୍ରଶାସନିକ ଓ ବିଚାରବିଭାଗ ପ୍ରକ୍ରିୟାକୁ କେତେକାଂଶରେ ପ୍ରଭାବିତ କରୁଥିବା ମଧ୍ୟ ଅଭିଯୋଗ ହୁଏ । ଅପରପକ୍ଷରେ ବିନା ସ୍ୱୀକାରୋକ୍ତିରେ ଦେୟଯୁକ୍ତ ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରସାରଣ ଗଣମାଧ୍ୟମ ପରିବେଶକୁ ପ୍ରଦୂଷିତ କରୁଥିବା ଉଦାହରଣର ମଧ୍ୟ ଅଭାବ ନଥାଏ ।


 

କେବଲ ଟେଲିଭିଜନ ନେଟୱାର୍କ (ଏମେଣ୍ଡମେଣ୍ଟ) ରୁଲସ ୨୦୨୧ ଚ୍ୟାନେଲଗୁଡ଼ିକରେ ପ୍ରସାରିତ କାର୍ଯ୍ୟକ୍ରମ ସଂପର୍କରେ ଅଭାବ ଅଭିଯୋଗ ମୀମାଂସା ପଦ୍ଧତିର ବୈଧିକରଣ ‘ଷ୍ଟାଟୁଏଟରି ମେକାନିଜମ’ ଆଧାରିତ । ଏଥିଲାଗି ଏକ ତ୍ରିସ୍ତରୀୟ ବ୍ୟବସ୍ଥା ପ୍ରସ୍ତାବନା କରାଯାଇଛି । ପ୍ରଥମତଃ, ବ୍ୟକ୍ତିବିଶେଷ କୌଣସି ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ କୌଣସି କାର୍ଯ୍ୟକ୍ରମ ସଂପର୍କୀତ ଯେକୌଣସି ଅଭିଯୋଗ ସଂପୃକ୍ତ ଚ୍ୟାନେଲଠାରେ ଦାଖଲ କରିପାରିବେ । ଏଥିଲାଗି ପ୍ରତ୍ୟେକ ଚ୍ୟାନେଲ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରିବେ । ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ଚ୍ୟାନେଲ ଅଭିଯୋଗର ପ୍ରାପ୍ତି ସ୍ୱୀକାର କରି ଆଭ୍ୟନ୍ତରୀଣ କମିଟି ଦ୍ୱାରା ତଦନ୍ତ ସାରି ୧୫ ଦିନ ମଧ୍ୟରେ ନିଷ୍ପତ୍ତି ଜଣାଇବେ ।


 

ଏହି କାର୍ଯ୍ୟଭାର ତୁଲାଇବା ଲାଗି ପ୍ରତ୍ୟେକ ଚ୍ୟାନେଲ ଜନୈକ କର୍ମକର୍ତ୍ତାଙ୍କୁ ନିୟୋଜିତ କରି ନିଜସ୍ୱ ୱେବସାଇଟରେ ଅଭିଯୋଗ ଦାଖଲ ପଦ୍ଧତି ସଂପର୍କୀତ ସୂଚ଼ନା ପ୍ରକାଶ କରିବାକୁ ବାଧ୍ୟ । ଦ୍ୱିତୀୟତଃ, ଅଭିଯୋଗକାରୀ ଚ୍ୟାନେଲ ପକ୍ଷରୁ ପ୍ରଦତ୍ତ ନିଷ୍ପତ୍ତିରେ ସନ୍ତୁଷ୍ଟ ନହେଲେ ସଂପୃକ୍ତ ଚ୍ୟାନେଲ ସଦସ୍ୟଭୁକ୍ତ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ ବୃତ୍ତିଭିତ୍ତିକ ଆତ୍ମନିୟନ୍ତ୍ରିତ ଶୀର୍ଷ ସଂଗଠନ ପକ୍ଷରୁ ଗଠିତ ଅଭିଯୋଗ ସମିତିଠାରେ ଅପିଲ କରିପାରିବେ । ସେହିପରି ପ୍ରାଥମିକସ୍ତରରେ ଚ୍ୟାନେଲ ନିକଟରେ ଅଭିଯୋଗ ଦଖଲର ୧୫ ଦିନ ମଧ୍ୟରେ ସଂପୃକ୍ତ ଚ୍ୟାନେଲଠାରୁ ନିଷ୍ପତ୍ତି ନପାଇପାରିଲେ ମଧ୍ୟ ଦ୍ୱିତୀୟସ୍ତରରେ ଅପିଲ କରିପାରିବେ ।


 

ଦ୍ୱିତୀୟସ୍ତରରେ ଅଭିଯୋଗ ବିଚାର ନିମନ୍ତେ ସମୟସୀମା ଆବେଦନ ପ୍ରାପ୍ତିଠାରୁ ୬୦ ଦିନ ଧାର୍ଯ୍ୟ ହୋଇଛି । ଶୀର୍ଷ ସଂଗଠନ ପକ୍ଷରୁ ନିଷ୍ପତ୍ତି ଗ୍ରହଣର ୧୫ ଦିନ ମଧ୍ୟରେ ଅଭିଯୋଗକାରୀଙ୍କୁ ଜଣାଇଦିଆଯିବା ପ୍ରାବଧାନ ରହିଛି । ତେବେ ପ୍ରଥମ ଓ ଦ୍ୱିତୀୟ ଉଭୟସ୍ତରର ନିଷ୍ପତ୍ତିରେ ସନ୍ତୁଷ୍ଟ ନହେଲେ ଅଭିଯୋଗ ତୃତୀୟସ୍ତରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଅନ୍ତଃ-ବିଭାଗୀୟ ସମିତିଠାରେ ଶେଷ ଅପିଲ କରିପାରିବେ । ଏହି ସମିତିରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଜଣେ ଅତିରିକ୍ତ ସଚ଼ିବସ୍ତରୀୟ କର୍ମଚାରୀ ଅଧ୍ୟକ୍ଷ ଏବଂ ଇଲକ୍ଟ୍ରୋନିକ୍ସ ଏଣ୍ଡ ଇନଫରମେସନ ଟେକନୋଲଜି, ବୈଦେଶିକ, ପ୍ରତିରକ୍ଷା, ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରଣାଳୟଗୁଡ଼ିକର ପ୍ରତିନିଧିଙ୍କ ସହ ଅନ୍ୟ ସଂଗଠନ ତଥା ବିଶେଷଜ୍ଞମାନଙ୍କୁ ସଦସ୍ୟ ମଣ୍ଡଳୀରେ ସାମିଲ ହେବେ । ଜନସାଧାରଣଙ୍କ ଅଭିଯୋଗ ସହ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ମାମଲାଗୁଡ଼ିକର ମଧ୍ୟ ଏହି ତତ୍ତ୍ୱାବଧାରକ ସମିତି ବିଚାରଣା କରିବେ । ଏହି ସମିତି ନିଜ ମାମଲା ସଂପର୍କୀତ ନିଷ୍ପତ୍ତିଗୁଡ଼ିକ କେନ୍ଦ୍ର ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁମୋଦନ କରିବା ବ୍ୟବସ୍ଥା ରହିବ ।


 

ଦ୍ୱିତୀୟସ୍ତରରେ ଅଭିଯୋଗ ବିଚାର ନିମନ୍ତେ ପ୍ରତିଷ୍ଠିତ ବୃତ୍ତିଗତ ସଂଗଠନଗୁଡ଼ିକ ପଞ୍ଜୀକରଣ ନିମନ୍ତେ ସରକାରଙ୍କଠାରେ ଆବେଦନ କରିବେ ଏବଂ ସରକାରୀ ସ୍ୱାକୃତି ପାଇବା ପରେ ସଦସ୍ୟଭୁକ୍ତ ଟେଲିଭିଜନ ଚ୍ୟାନେଲ ବିରୋଧରେ ଆଗତ ଜନସାଧାରଣଙ୍କ ଅଭିଯୋଗ ବିଚାର କରିବା କ୍ଷମତାପ୍ରାପ୍ତ ହେବେ । ସରକାରଙ୍କ ସ୍ୱୀକୃତି ଲାଗି ଆବେଦନ କରିବା ବୃତ୍ତିଭିତ୍ତିକ ସଂଗଠନଗୁଡ଼ିକରେ ଅନ୍ତତଃପକ୍ଷେ ୪୦ ଗୋଟି ଟେଲିଭିଜନ ଚ୍ୟାନେଲ ସଦସ୍ୟଭୁକ୍ତ ହୋଇଥିବା ଅନିର୍ବାଯ୍ୟ । ନିୟମ ପ୍ରଣୟନ ବିଜ୍ଞପ୍ତି ପ୍ରକାଶନରେ ୩୦ ଦିନ କିମ୍ୱା ସଂଗଠନ ଗଠନର ୩୦ ଦିନ ମଧ୍ୟରେ ସରକାରୀ ପଞ୍ଜୀକରଣର ସୁବିଧା ଲାଗି ଆବେଦନ କରାଯାଇପାରିବ । ‘ଆଡ଼ଭାଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ ଅଫ ଇଣ୍ଡିଆ’ ବିଜ୍ଞାପନ ନିମନ୍ତେ ଧାର୍ଯ୍ୟ ଆଚ଼ରଣ ସଂହିତାର ଉଲଂଘନ ସଂପର୍କୀତ ଅଭିଯୋଗଗୁଡ଼ିକ ୬୦ ଦିନ ମଧ୍ୟରେ ବିଚାର କରି ନିଷ୍ପତ୍ତି ଶୁଣାଇବା ବ୍ୟବସ୍ଥା ରହିବ ।


 

ଗଣମାଧ୍ୟମ ବିଶ୍ଳେଷକମାନଙ୍କ ବିଚାରରେ ପ୍ରଥମତଃ, କେବଲ ଟେଲିଭିଜନ ନେଟୱାର୍କ ରୁଲସ ସଂଶୋଧନ ଏକ ନୂତନ ଆଇନ ନୁହେଁ, ୧୯୯୫ରେ ପ୍ରଣୀତ ଆଇନ ଉପଯୋଗଲାଗି ନିୟମାବଳୀର ସଂଶୋଧନରେ ସୀମିତ । ଦ୍ୱିତୀୟତଃ, ଫେବୃୟାରୀ ୨୦୨୧ରେ ଓଭର-ଦି-ଟପ ମଞ୍ଚ ନିମନ୍ତେ ଆଚ଼ରଣ ସଂହିତା ଓ ଅଭିଯୋଗ ବିଚାର ବୈଧାନିକ ପ୍ରକ୍ରିୟା ଅନୁସରଣଲାଗି ପ୍ରଚଳିତ ଆଇନ ଉପଯୋଗର ନିୟମାବଳୀ ସଂଶୋଧନ ପରେ ଟେଲିଭିଜନ ଚ୍ୟାନେଲଗୁଡ଼ିକ କ୍ଷେତ୍ରରେ ସେହି ଧରଣର ନୀତିନିୟମ ନିର୍ଦ୍ଧାରିତ ହୋଇଛି । ତୃତୀୟତଃ, ଟେଲିଭିଜନ ଓ ଓଟିଟି ମଞ୍ଚରେ ପ୍ରସାରିତ କାର୍ଯ୍ୟକ୍ରମ ପ୍ରାଥମିକସ୍ତରରେ ସଂପୃକ୍ତ ସଂସ୍ଥା, ଦ୍ୱିତୀୟସ୍ତରରେ ସଂପୃକ୍ତ ସଂସ୍ଥା ସଦସ୍ୟତା ଗ୍ରହଣ କରିଥିବା ବୃତ୍ତିଭିତ୍ତିକ ସଂଗଠନ ଓ ତୃତୀୟସ୍ତରରେ ସରକାରୀ କଳକୁ ନିୟୋଜିତ କରାଯାଇଛି । ଏତଦ୍ୱାରା ସାଧାରଣ ନାଗରିକ ଉପକୃତ ହେବେ, ନ୍ୟାୟିକବ୍ୟବସ୍ଥା ଉପରୁ ବୋଝ କମିଯିବ, ବିବାଦର ସମାଧାନ ସୀମିତ ସମୟ ମଧ୍ୟରେ ସଂଭବ ହେବ । ତେବେ ବିଚାର ପ୍ରକ୍ରିୟାରେ ଶୀର୍ଷସ୍ତରରେ ସରକାରୀ କର୍ମଚାରୀଙ୍କୁ ସାମିଲ କରାଯିବା ଫଳରେ କ୍ଷମତାସୀନ ରାଜନୀତିକ ଦଳ ଓ ସରକାରଙ୍କ ପ୍ରଭାବ ବଳବତ୍ତର ରହିବ ବୋଲି ସମାଲୋଚନା ହୁଏ ।


 

ସର୍ବୋପରି ମୂଳସ୍ରୋତ ଗଣମାଧ୍ୟମର ଦୁଇ ମୁଖ୍ୟ ମଞ୍ଚ ଟେଲିଭିଜନ ଓ ଓଟିଟି, ତତ୍ ସଙ୍ଗେ ଡିଜିଟାଲ ମିଡ଼ିଆରେ ପ୍ରସାରିତ ବା ପ୍ରକାଶିତ କାର୍ଯ୍ୟକ୍ରମ ବା ପାଠ୍ୟ, ଚ଼ିତ୍ର ବିରୋଧରେ ଅଭିଯୋଗ ଦାଖଲ ଓ ସମାଧାନ ନିମନ୍ତେ ଅଦାଲତ-ବାହ୍ୟ ପରିବେଶରେ ବୈଧାନିକ ବ୍ୟବସ୍ଥା ଲାଗୁ କରାଯିବା ପରେ ମୁଦ୍ରଣ ଗଣମାଧ୍ୟମ, ମୁଖ୍ୟତଃ ସମ୍ୱାଦପତ୍ର କ୍ଷେତ୍ରରେ ଅନୁରୂପ ନିୟମ ସଂଶୋଧନ ପ୍ରକ୍ରିୟା ଲାଗୁ କରାଯିବା ଆଶଙ୍କା ଘନୀଭୂତ ହୋଇଛି । କୁହାଯାଇପାରେ ଯେ ସମ୍ୱାଦପତ୍ରରେ ଆପତ୍ତିମୂଳକ ପ୍ରକାଶନ ବିରୋଧରେ ଅଭିଯୋଗ ପାଇଁ ‘ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ଆଇନର ପ୍ରାବଧାନ ରହିଛି । କିନ୍ତୁ ସମ୍ୱାଦପତ୍ର କ୍ଷେତ୍ରରେ ଜନସାଧାରଣଙ୍କ ଅଭିଯୋଗ ସମାଧାନର ସମୟସୀମା ନିର୍ଦ୍ଧାରିତ ହୋଇପାରି ନାହିଁ । ‘ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ଆଇନ ଉପଯୋଗ ନିୟମରେ ସାମାନ୍ୟ ପରିବର୍ତ୍ତନରେ ଏହିଭଳି ପଦକ୍ଷେପ ଗ୍ରହଣ ଆଶଙ୍କାକୁ ଏଡ଼ାଇ ଦେଇ ହୁଏ ନାହିଁ । ଏହି ଦିଗରେ ପୂର୍ବପ୍ରସ୍ତୁତି ସରିଲାଣି ବୋଲି କହିବାକୁ ହେବ ।      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୫ ଜୁନ ୨୦୨୧


ତଥ୍ୟ:



Govt. amends Cable TV Network Rules to provide statutory mechanism for complaint redressal. PTI. June 18, 2021 

ଚଳଚ଼ିତ୍ର ଯାଞ୍ଚ ଆଇନ ସଂଶୋଧନ 

ଭାରତରେ ଚଳଚ଼ିତ୍ର ଯାଞ୍ଚ ଆଇନ ‘ଦି ସିନେମାଟୋଗ୍ରାଫ ଆକ୍ଟ’ ୧୯୫୨ରେ ପ୍ରଣୀତ । ସ୍ୱାଧୀନତା-ପୂର୍ବ ଓ ସ୍ୱାଧୀନତା-ପର ଅବସ୍ଥାରେ ଦେଶରେ ଚଳଚ଼ିତ୍ର ଶିଳ୍ପର ବ୍ୟାପକ ପ୍ରସାର ଅବସରରେ ସାର୍ବଜନୀନ ଚଳଚ଼ିତ୍ର ପ୍ରଦର୍ଶନ ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ରୀୟ ସ୍ତରରେ ଆଇନ ପ୍ରଣୟନ ଆବଶ୍ୟକତା ଅନୁଭୂତ ହୋଇଥିଲା । ସେହି ସମୟରେ ଚଳଚ଼ିତ୍ର କେବଳ ପ୍ରେକ୍ଷାଳୟ ପ୍ରଦର୍ଶନରେ ସୀମିତ ଥିବା ହେତୁ ଆଇନରେ ମୁଖ୍ୟତଃ ଚଳଚ଼ିତ୍ରର ଉପାଦାନ ଯାଞ୍ଚ ଓ ପ୍ରଦର୍ଶନଗତ ବିଧିବିଧାନକୁ ଗୁରୁତ୍ୱ ଦିଆଯାଇଥିଲା ।

 

ତେବେ ତିନି ଦଶନ୍ଧି ପରେ ଚଳଚ଼ିତ୍ର ପ୍ରଦର୍ଶନ ଟେଲିଭିଜନ ଓ ଭିଡ଼ିଓ ତଥା ପରବର୍ତ୍ତୀ ତିନି ଦଶକରେ ଇଣ୍ଟରନେଟ ମଞ୍ଚକୁ ଉନ୍ନୀତ ହେବା ଅବସରରେ ଆଇନରେ ସଂଶୋଧନ ଆବଶ୍ୟକତା ପଡ଼ିଥିଲା । ଉନ୍ନତ କାରିଗରୀ କୌଶଳ ଉପଯୋଗରେ ଚଳଚ଼ିତ୍ରର ନକଲ ପ୍ରସ୍ତୁତି ସହଜସାଧ୍ୟ ହୋଇପାରିଥିବା ହେତୁ ସୃଜନରେ ସତ୍ତ୍ୱ ସୁରକ୍ଷା ନିମନ୍ତେ ପଦକ୍ଷେପ ଅନିର୍ବାଯ୍ୟ ସ୍ତରରେ ପହଞ୍ଚିଥିଲା ।

 

ଆନ୍ତର୍ଜାତିକକ୍ଷେତ୍ରରେ ଚଳଚ଼ିତ୍ର ପ୍ରଦର୍ଶନ ୧୮୯୫ରେ ଆରମ୍ଭ ହେବା ମାତ୍ର ବର୍ଷକ ପରେ ୧୮୯୬ରେ ଭାରତରେ ପ୍ରଥମ ଚଳଚ଼ିତ୍ର ପ୍ରଦର୍ଶିତ ହୋଇଥିଲା । କିଛି କାଳ ବିଦେଶରେ ନିର୍ମିତ ଚଳଚ଼ିତ୍ର ପ୍ରଦର୍ଶନ ପରେ ୧୯୧୨ରୁ ସ୍ୱଦେଶ ନିର୍ମିତ ପୂର୍ଣ୍ଣାଙ୍ଗ ଚଳଚ଼ିତ୍ର ପ୍ରଦର୍ଶନ ସୁଯୋଗ ମିଳିଥିଲା । ଇଂଲିଶ ପ୍ରଶାସନ ପକ୍ଷରୁ ‘ଦି ଇଣ୍ଡିଆ ସିନେମାଟୋଗ୍ରାଫ ଆକ୍ଟ ୧୯୨୦’ ଅନୁଯାୟୀ ଦେଶର ତିନିଗୋଟି ବଡ଼ ସହର ମୁମ୍ୱାଇ, କୋଲକତା ଓ ରେଙ୍ଗୁନରେ ଯାଞ୍ଚ କମିଟିମାନ ଗଠିତ ହୋଇଥିଲା । ସ୍ଥାନୀୟ ପୋଲିସ ବିଭାଗର ମୁଖ୍ୟ ଏଥିରେ ଅଧ୍ୟକ୍ଷତା କରୁଥିଲେ । ଚଳଚ଼ିତ୍ର ଶିଳ୍ପର ସ୍ଥିତାବସ୍ଥା ସମୀକ୍ଷା କରିବା ନିମନ୍ତେ ଗଠିତ ଏକ କମିଟି ୧୯୨୮ରେ ଜାତୀୟ ସ୍ତରରେ ଯାଞ୍ଚ ବ୍ୟବସ୍ଥା ପ୍ରବର୍ତ୍ତନ ଲାଗି ପରାମର୍ଶ ଦେଇଥିଲେ ।

 

ଭାରତର ସ୍ୱାଧୀନତା ପ୍ରାପ୍ତି ପରେ ‘ଦି ସିନେମାଟୋଗ୍ରାଫ ବୋର୍ଡ ଅଫ ଫିଲ୍ମ ସେନସର୍ସ’ ଗଠିତ ହୋଇଥିଲା । ଏହାର ନାମକରଣ ‘ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ’ ରୂପେ ୧୯୮୩ରେ ପରିବର୍ତ୍ତନ କରାଯାଇଥିଲା । ଆଇନ ଅନୁଯାୟୀ ଦେଶରେ ସାର୍ବଜନୀନ ପ୍ରଦର୍ଶନ ନିମନ୍ତେ ପ୍ରତ୍ୟେକ ଚଳଚ଼ିତ୍ର ବୋର୍ଡ ଦ୍ୱାରା ଯାଞ୍ଚର ସମ୍ମୁଖୀନ ହେବା ନିୟମ ରହିଛି । ମୁଖ୍ୟତଃ, ରାଷ୍ଟ୍ରୀୟ ଐକ୍ୟ ଓ ଅଖଣ୍ଡତା, ପ୍ରତିରକ୍ଷା, ବନ୍ଧୁରାଷ୍ଟ୍ର ସହ ସଂପର୍କ, ସାମାଜିକ ସହବସ୍ଥାନ, ଶାଳୀନତା, ମାନହାନୀ ତଥା ଅଦାଲତ ଅବମାନନା ଭଳି ଉପାଦାନରୁ ଚଳଚ଼ିତ୍ରଗୁଡ଼ିକ ମୁକ୍ତ ରଖିବା ନିମନ୍ତେ ଯାଞ୍ଚ ଅବସରରେ ଯତ୍ନ ନିଆଯାଇଥାଏ ।

 

ଯାଞ୍ଚ ଆଇନ ଅନୁଯାୟୀ ପ୍ରତ୍ୟେକ ଚଳଚ଼ିତ୍ରକୁ ଏକାଧିକ ବ୍ୟକ୍ତିଙ୍କ ସମାବେଶରେ ଗଠିତ ସମିତି ଦ୍ୱାରା ବିଚାର କରାଯାଇ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା ରହିଛି । କେତେକ କ୍ଷେତ୍ରରେ ବୋର୍ଡର ସଦସ୍ୟମାନେ ଚଳଚ଼ିତ୍ରରେ ରୂପାୟିତ ଦୃଶ୍ୟାବଳୀ ବାଦ ଦେବା କିମ୍ୱା ପରିବର୍ତ୍ତନ ନିମନ୍ତେ ମଧ୍ୟ ପରାମର୍ଶ ଦେଇପାରନ୍ତି । କୌଣସି କାରଣରୁ ଚଳଚ଼ିତ୍ର ନିର୍ମାତାମାନେ ବୋର୍ଡ଼ର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଲେ ‘ଦି ଫିଲ୍ମ ସାର୍ଟିଫିକେସନ ଆପାଲେଟ ଟ୍ର୍ୟିବୁନାଲ’ଠାରେ ଆବେଦନ କରିବା ସୁଯୋଗ ରହିଥିଲା । ସେହି ବ୍ୟବସ୍ଥା ୨୦୨୧ରେ ପ୍ରତ୍ୟାହାର କରିନିଆଯାଇଥିଲା । ତେଣିକି ବାଦବିବାଦ ମୀମାଂସା ପାଇଁ ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ ଦାୟର କରିବା ପ୍ରାବଧାନ ହିଁ ଉପଲବ୍ଧ ।

 

‘ଦି ସିନେମାଟୋଗ୍ରାଫ ଆକ୍ଟ ୧୯୫୨’ କାର୍ଯ୍ୟକାରୀ ହେବା ୩୨ ବର୍ଷ ପରେ ଚଳଚ଼ିତ୍ର ପ୍ରଦର୍ଶନରେ ବୈଷୟିକ ପରିବର୍ତ୍ତନକୁ ବିଚାରକୁ ନେଇ ୧୯୮୪ରେ ସଂଶୋଧନ କରାଯାଇଥିଲା । ପୁନର୍ବାର ୪୦ ବର୍ଷ ପରେ ୨୦୨୩ ଜୁଲାଇ ୨୭ ତାରିଖରେ ରାଜ୍ୟସଭା ଓ ଜୁଲାଇ ୩୧ ତାରିଖରେ ଲୋକସଭାରେ ‘ଦି ସିନେମାଟୋଗ୍ରାଫ (ସଂଶୋଧନ) ବିଲ ୨୦୨୩’ ପାରିତ ହୋଇଥିଲା । ସ୍ଥୁଳ ଦୃଷ୍ଟିରେ ସଂଶୋଧନଗୁଡ଼ିକ ଚଳଚ଼ିତ୍ର ପ୍ରଯୋଜକମାନଙ୍କ ସ୍ୱାର୍ଥରକ୍ଷା ଏବଂ ସାମାଜିକ ହିତକାରୀ ପ୍ରତୀୟମାନ ହୋଇଥାଏ ।

 

ପ୍ରଥମତଃ, ଅନଲାଇନ ପରିବେଶ ବ୍ୟାପ୍ତି ପରେ ଚଳଚ଼ିତ୍ର ଚୋରା ପ୍ରଦର୍ଶନ ‘ପାଇରେସି’ ଭାରତୀୟ ଚଳଚ଼ିତ୍ର ଶିଳ୍ପର ଅଭିବୃଦ୍ଧିରେ ଏକ ବଡ଼ ସମସ୍ୟା ରୂପେ ମୁଣ୍ଡ ଟେକିଛି । ଏତଦ୍ୱାରା ବାର୍ଷିକ ୨୦ ହଜାର କୋଟି ଟଙ୍କା କ୍ଷତି ଘଟୁଥିବା କୁହାଯାଉଛି । ସଂଶୋଧିତ ଆଇନାନୁଯାୟୀ ପାଇରେସି ପ୍ରମାଣିତ ଅପରାଧ ନିମନ୍ତେ ସର୍ବନିମ୍ନ ତିନି ମାସରୁ ତିନି ବର୍ଷ ଜେଲ ଦଣ୍ଡ ଏବଂ ତିନି ଲକ୍ଷ ଟଙ୍କା ଜୋରିମାନା ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ସ୍ଥଳେ ଚଳଚ଼ିତ୍ର ପ୍ରଯୋଜନାରେ ଖର୍ଚ୍ଚର ପାଞ୍ଚ ପ୍ରତିଶତ ଯାଏଁ ଜୋରିମାନା ରାଶି ବୃଦ୍ଧି ହୋଇପାରିବ ।

 

ଦ୍ୱିତୀୟତଃ, ପ୍ରଚଳିତ ଆଇନରେ ପ୍ରତ୍ୟେକ ଚଳଚ଼ିତ୍ର ନିର୍ମାଣପରେ ପ୍ରଦାନ କରାଯାଉଥିବା ପ୍ରଦର୍ଶନ ପ୍ରମାଣପତ୍ରର ଅବଧି ଦଶ ବର୍ଷ ଯାଏଁ ପ୍ରଭାବଶାଳୀ ରହୁଥିବା ଏବଂ ପ୍ରତି ଦଶ ବର୍ଷ ପରେ ପୁନଃ ଯାଞ୍ଚ ଆବଶ୍ୟକ ଥିବା ସ୍ଥଳେ ନୂତନ ବ୍ୟବସ୍ଥାରେ ସର୍ବକାଳ ବ୍ୟାପୀ ବଳବତ୍ତର ରହିବ । ତୃତୀୟତଃ, ଅଭିଭାବକଙ୍କ ତତ୍ତ୍ୱାବଧାନରେ ନାବାଳକମାନେ ଚଳଚ଼ିତ୍ର ଦେଖିବା ‘ୟୁ/ଏ’ ପର୍ଯ୍ୟାୟକୁ ତିନିଭାଗରେ ବିଭକ୍ତ କରି ୟୁ/ଏ – ୭ ବର୍ଷ, ୟୁ / ଏ – ୧୩ ବର୍ଷ ଓ ୟୁ / ଏ-୧୬ ବର୍ଷ ବା ତତୁର୍ଦ୍ଧ୍ୱ ବ୍ୟବସ୍ଥା କରାଯାଇଛି । ଏହି ନୂତନ ବର୍ଗୀକରଣ ଅନୁଯାୟୀ ଏଣିକି ଚଳଚ଼ିତ୍ର ଯାଞ୍ଚ ପ୍ରମାଣପତ୍ର ପ୍ରଦାନ କରାଯିବ ।

 

ଏତଦ୍ ବ୍ୟତୀତ ପ୍ରାପ୍ତ-ବୟସ୍କ ‘ଏ’ ଓ ନିର୍ଦ୍ଦିଷ୍ଟ ବୃତ୍ତିଧାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ‘ଏସ’ ପ୍ରମାଣପତ୍ର ପାଇଥିବା ଚଳଚ଼ିତ୍ରଗୁଡ଼ିକ ଟେଲିଭିଜନରେ ପ୍ରଦର୍ଶନକଳ୍ପେ ପୁନଃ ପ୍ରମାଣପତ୍ର ନିମନ୍ତେ ଆବେଦନ କରିବେ । ଯାଞ୍ଚ ପ୍ରମାଣପତ୍ର ପାଇଥିବା ଚଳଚ଼ିତ୍ରଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଆଦେଶରେ ପୁନଃ ଯାଞ୍ଚ କ୍ଷମତା ଅପସାରଣ ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ସଂଶୋଧନ ।

 

ଗଣଯୋଗାଯୋଗ ପରିଧିରେ ମୁଦ୍ରଣ ମାଧ୍ୟମ ପ୍ରସାରର ଚାରି ଶହ ବର୍ଷ ପରେ ଚଳଚ଼ିତ୍ର ମାଧ୍ୟମ ଆତ୍ମପ୍ରକାଶ କରିଥିଲା । ମୁଦ୍ରଣ ବୈଷୟିକ କଳା ଭାରତରେ ପ୍ରଭାବ ବିସ୍ତାର କରିବା ନିମନ୍ତେ ତିନିଶହ ବର୍ଷ ଲାଗି ଯାଇଥିବା ସ୍ଥଳେ ଚଳଚ଼ିତ୍ର ମାତ୍ର ବର୍ଷକ ଅନ୍ତରରେ ପହଞ୍ଚିଥିଲା । ଆମ ଦେଶରେ ଚଳଚ଼ିତ୍ର ଶିଳ୍ପ ବିଶ୍ୱର ସର୍ବ-ବୃହତ୍ତମ ତଥା ବାର୍ଷିକ ତିନି ହଜାର ଯାଏଁ ଚଳଚ଼ିତ୍ର ୪୦ ଗୋଟି ଭାଷାରେ ନିର୍ମିତ ହେଉଥିବା ହିସାବ କରାଯାଏ ।

 

କୋଭିଡ଼-୧୯ ମହାମାରୀ-ପର ପରିବର୍ତ୍ତିତ ପରିବେଶରେ ଚଳଚ଼ିତ୍ର ସାର୍ବଜନୀନ ପ୍ରେକ୍ଷାଳୟ ପରଦାରୁ ବ୍ୟକ୍ତିକେନ୍ଦ୍ରୀକ ସ୍ମାର୍ଟଫୋନ ପରଦାକୁ ସ୍ଥାନାନ୍ତରିତ ହୋଇଛି । ବିଶ୍ୱବ୍ୟାପୀ ଜନସାଧାରଣ ରୂପେଲି ପରଦା ବଦଳରେ ଦୀର୍ଘ ସମୟ ମୋବାଇଲ ପରଦାରେ ଚଳଚ଼ିତ୍ର ଦେଖୁଛନ୍ତି । ଆମ ଦେଶରେ ଅନଲାଇନ ଚଳଚ଼ିତ୍ର ପ୍ରଦର୍ଶନ ସମୃଦ୍ଧ ଓଭର-ଦି-ଟପ ‘ଓଟିଟି’ ମଞ୍ଚ ଗୁଡ଼ିକ ମହାମାରୀ ପୂର୍ବରୁ ଭିତ୍ତିଭୂମି ପ୍ରତିଷ୍ଠା କରିସାରିଥିଲେ । ମହାମାରୀ କାଳରେ ‘ଓଟିଟି’ର ଲୋକପ୍ରିୟତା ବୃଦ୍ଧି ମହାମାରୀ-ପର ଅବସ୍ଥାରେ ମଧ୍ୟ ବଳବତ୍ତର ରହିଛି । ପ୍ରଶ୍ନ ଉଠେ, ଭାରତୀୟ ଆଇନରେ ପ୍ରେକ୍ଷାଳୟ ଓ ଟେଲିଭିଜନ ଚଳଚ଼ିତ୍ର ପ୍ରଦର୍ଶନ ସହ ‘ଓଟିଟି’ ପ୍ରଦର୍ଶନକୁ ଯୋଡ଼ି ହେବ କି ? ପାର୍ଲାମେଣ୍ଟରେ ଚଳଚ଼ିତ୍ର ଯାଞ୍ଚ ଆଇନ ସଂଶୋଧନ ଆଲୋଚ଼ନା କାଳରେ ମଧ୍ୟ ଏହି ଯୁକ୍ତି ଉତ୍ଥାପନ କରାଯାଇଥିଲା ।

 

ବିଶେଷଜ୍ଞଙ୍କ ମତରେ ନିକଟ ଅତୀତରୁ ଭାରତୀୟ ଚଳଚ଼ିତ୍ର ଆନ୍ତର୍ଜାତିକସ୍ତରରେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ଏହି ଉପକ୍ରମ ପଛରେ ‘ଓଟିଟି’ ମଞ୍ଚର ସୁବିଧାସୁଯୋଗ ଅନ୍ୟତମ ଭୂମିକା ନିର୍ବାହ କରିଥାଏ । ଇତ୍ୟବସରରେ ‘ଓଟିଟି’ ନିୟନ୍ତ୍ରଣ ନିମନ୍ତେ ତରବରିଆ ନିଷ୍ପତ୍ତି ଆତ୍ମଘାତୀ ପ୍ରମାଣିତ ହେବ । ‘ଓଟିଟି’ରେ ପାଇରେସିର ଭୟ ନଥାଏ । ବ୍ୟବସାୟଠାରୁ ଆରମ୍ଭ କରି ବ୍ୟକ୍ତିଗତ ଆହରଣ ସମସ୍ତ ତଥ୍ୟ ସ୍ୱଚ୍ଛ ଓ ଡ଼ିଜିଟାଲରୂପରେ ଉପଲବ୍ଧ । ଚଳଚ଼ିତ୍ର ପ୍ରଦର୍ଶନ ଧାରାର ଶହେ ବର୍ଷ ପରେ ‘ଓଟିଟି’ ମଞ୍ଚ ବିକଶିତ ଏବଂ ବିଶ୍ୱବ୍ୟାପୀ  ଦର୍ଶକଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟବଦ୍ଧ । ଭାରତୀୟ ସମାଜରେ ଶାଳୀନତାର ମାନାଙ୍କ ଆନ୍ତର୍ଜାତିକସ୍ତରରେ ଲଦି ଦେବା ଦୋଷାବହ ମନେ ହୁଏ ।

 

ସମକାଳରେ ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମ ପରିସରରେ ‘ଓଟିଟି’ ଚଳଚ଼ିତ୍ରର ବିକଳ୍ପ ଧାରା ରୂପେ ଗଢ଼ି ଉଠୁଥିବା ସୁସ୍ପଷ୍ଟ । ଭାରତରେ ‘ଓଟିଟି’ ଭଳି ଅନଲାଇନ ମଞ୍ଚ ନିମନ୍ତେ ଇନଫରମେସେନ ଟେକନୋଲଜି ଆକ୍ଟ ୨୦୦୦, କେବଲ ଟେଲିଭିଜନ ନେଟୱାର୍କ ରୁଲସ ୧୯୯୪, ଆଇଟି ଆକ୍ଟରେ ସନ୍ନିବଶିତ କୋଡ଼ ଅଫ ଏଥିକ୍ସ ଓ କପିରାଇଟ ଆକ୍ଟ ୧୯୫୭ ଭଳି ଢ଼େର ଆଇନାବଳୀ ଉପଯୋଗର ପ୍ରାବଧାନ ରହିଛି । ଏତଦ୍ ବ୍ୟତୀତ ‘ଓଟିଟି’ ମଞ୍ଚକୁ ଆତ୍ମ-ନିୟନ୍ତ୍ରଣ ଧାରା ଉପଯୋଗଲାଗି ପ୍ରୋତ୍ସାହିତ କରାଯାଉଛି । ପାରମ୍ପରିକ ଚଳଚ଼ିତ୍ରର ବିକଳ୍ପ ଧାରାକୁ ଚଳଚ଼ିତ୍ର ବନ୍ଧନୀ ମଧ୍ୟକୁ ଟାଣି ଆଣିବା ଅନୁଚିତ । ତେଣୁ ‘ଓଟିଟି’ ଚଳଚ଼ିତ୍ର ଯାଞ୍ଚ ନିୟମରୁ ଦୂରେଇ ରଖିବା ସମୟଉପଯୋଗୀ ।       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅଗଷ୍ଟ ୨୦୨


ଭିଡ଼ିଓ :

କେନ୍ଦ୍ର ସୂଚ଼ନା ଓ ପ୍ରସାରଣ ମନ୍ତ୍ରୀଙ୍କ ଦ୍ୱାରା ଚଳଚ଼ିତ୍ର ଯାଞ୍ଚ ନିୟମ ସଂଶୋଧନ ପ୍ରସ୍ତାବ ଉପସ୍ଥାପନ

 

The Cinematograph (Amendment) Bill 2023 taken up for consideration and passing in Lok Sabha

 

https://youtu.be/TbSbZIZh1Jk

 

ତଥ୍ୟ:

 

https://pib.gov.in/PressReleasePage.aspx?PRID=1944435

ସୂଚନା ଆଇନ ଅଧିକାର ସଂଶୋଧନ

‘ସୂଚନା ଅଧିକାର ଆଇନ, ୨୦୦୫’ରେ କେତେକ ଧାରା ପରିବର୍ତ୍ତନ ନେଇ ‘ସୂଚନା ଅଧିକାର ଆଇନ (ସଂଶୋଧନ) ୨୦୧୯’ ବିଲ ଲୋକସଭାରେ ୨୨ ଜୁଲାଇ ଓ ରାଜ୍ୟସଭାରେ ୨୫ ଜୁଲାଇ ୨୦୧୯ରେ ପାରିତ ହୋଇଛି । ଲୋକସଭାରେ ସଂଶୋଧନ ସପକ୍ଷରେ ୧୭୮ ଭୋଟ ପାଇଥିବା ବେଳେ ବିରୋଧରେ ୭୯ ଭୋଟ ମିଳିଥିଲା । ରାଜ୍ୟସଭାରେ ସପକ୍ଷରେ ୧୧୭ ଓ ବିପକ୍ଷରେ ୭୫ ଜଣ ସାଂସଦ ମତ ସାବ୍ୟସ୍ତ କରିଥିଲେ । ସୂଚନା ଅଧିକାର ଆଇନ ୨୦୦୫ର ସଂଶୋଧନ ଆଇନର କାର୍ଯ୍ୟକାରିତାରେ ପ୍ରତିକୂଳ ପ୍ରଭାବ ପକାଇବା ନେଇ ଆଶଙ୍କା ପ୍ରକାଶ ପାଉଥିବା ସ୍ଥଳେ ସରକାରଙ୍କ ପକ୍ଷରୁ ଏହାକୁ ଏକ ସଂସ୍କାରମୂଳକ ପଦକ୍ଷେପ ରୂପେ ବର୍ଣ୍ଣନା କରାଯାଇଛି ।


 

‘ସୂଚନା ଅଧିକାର ଆଇନ ୨୦୦୫’ର ଧାରା ୧୩ରେ କେନ୍ଦ୍ର ଓ ରାଜ୍ୟସ୍ତରରେ ଅବସ୍ଥାପିତ ମୁଖ୍ୟ ଓ ଅନ୍ୟ ସୂଚନା ଆୟୁକ୍ତଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ କିମ୍ୱା ପ୍ରାର୍ଥୀଙ୍କ ବୟସ ସର୍ବୋଚ୍ଚ ୬୫ ବର୍ଷ ନିର୍ଦ୍ଧାରିତ ହୋଇଥିଲା । ସଂଶୋଧିତ ବିଲରେ ଉଭୟସ୍ତରରେଅବସ୍ଥାପିତ ମୁଖ୍ୟ ଓ ଅନ୍ୟ ସୂଚନା ଆୟୁକ୍ତଙ୍କ କାର୍ଯ୍ୟକାଳ ନିର୍ଦ୍ଧାରଣ କରିବା ଅଧିକାର କେନ୍ଦ୍ର ସରକାରଙ୍କୁ ଦିଆଯାଇଛି । ଏଥିସହ ସେମାନଙ୍କ ଦରମା ଓ ଭତ୍ତା ପରିମାଣ ମଧ୍ୟ କେନ୍ଦ୍ର ସରକାର ଧାର୍ଯ୍ୟ କରିବେ । ପୂର୍ବ ନିୟମ ପ୍ରକାରେ ସୂଚନା ଆୟୁକ୍ତଙ୍କଭତ୍ତା ନିର୍ବାଚନ ଆୟୁକ୍ତଙ୍କଭତ୍ତା ସହ ସମାନ ରହିବା ପ୍ରବଧାନ ରହିଥିଲା ।


 

‘ସୂଚନା ଅଧିକାର ଆଇନ ୨୦୦୫’ ସଂଶୋଧନ ପ୍ରସ୍ତାବ ଜାତୀୟ ଗଣତାନ୍ତ୍ରିକ ଗଠବନ୍ଧନ ସରକାରଙ୍କ ପ୍ରଥମ ପାଳି ଶାସନ ଅବସରରେ ଆସିବା ଦିନୁ ଏଭଳି ଉଦ୍ୟମ ବିରୋଧର ଚର୍ଚ୍ଚା ଲାଗି ରହିଆସିଛି । ଗୋଟିଏ ଦୃଷ୍ଟିରୁ ବିଚ଼ାର କଲେ ସୂଚନା ଆୟୁକ୍ତମାନଙ୍କ କାର୍ଯ୍ୟକାଳ ଓ ଭତ୍ତା ନିର୍ଦ୍ଧାରଣ ଆଇନ କାର୍ଯ୍ୟକାରୀତା କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ନୁହଁ ବୋଲି ଯୁକ୍ତି ବଢ଼ାଯାଉଥିଲେହେଁ ଅପରପକ୍ଷରେ ଆୟୁକ୍ତ ପଦବୀ ସରକାରୀ ଓ ଅମଳାତନ୍ତ୍ର ଅଧୀନକୁ ଚାଲିଯିବା ଆଶଙ୍କା ମଧ୍ୟ ଅମୂଳକ ନୁହଁ ।


 

ସରକାରୀସ୍ତରରେ ତୃଟିବିଚ୍ୟୁତି ଖୋଜି ବାହାର କରିବା ନିମନ୍ତେ ସୂଚନା ଅଧିକାର ଆଇନ ବଳରେ ନାଗରିକମାନେ ତଥ୍ୟ ସଂଗ୍ରହ କରିଥାନ୍ତି । କିନ୍ତୁ ଏହି କ୍ଷେତ୍ରରେ ଅମଳାତନ୍ତ୍ର ଟାଳଟୁଳ ନୀତି ଅବଲମ୍ୱନ କଲେ ସୂଚନା ମାଗିବାର ମାସକ ପରେ ସେହି କାର୍ଯ୍ୟାଳୟରେ ଅବସ୍ଥାପିତ ଉଚ୍ଚପଦାଧିକାରୀ ଏବଂ ସେଥିରେ ଅସଫଳ ହେଲେ ରାଜ୍ୟ ସୂଚନା ଆୟୁକ୍ତଙ୍କଠାରେ ଅପିଲ କରିବା ନିୟମ ରହିଥାଏ ।


 

ଏହି କାରଣରୁ ସୂଚନା ଆୟୁକ୍ତମାନଙ୍କୁସ୍ୱାଧୀନଭାବେସରକାରୀ ନିୟନ୍ତ୍ରଣରୁ ମୁକ୍ତ ରହି କାର୍ଯ୍ୟ କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇ କାର୍ଯ୍ୟକାଳର ନିର୍ଦ୍ଧିଷ୍ଟ ଅବଧି ଓ ଉଚିତ ଭତ୍ତା ତଥା ଶାସନ ବ୍ୟବସ୍ଥାରେ ସମ୍ମାନଜନକ ସ୍ଥାନ ପ୍ରଦାନ ୨୦୦୫ରେ ପ୍ରଣୀତ ମୂଳ ଆଇନରେ ବ୍ୟବସ୍ଥା ରହିଥିଲା । ତେବେ ସୂଚନା ଆୟୁକ୍ତ ଏକ ବୈଧାନିକ ପଦବୀ ବିବେଚନା କରି ସରକାରଙ୍କଦ୍ୱାରାନିଯୁକ୍ତ କର୍ମଚ଼ାରୀ ଜ୍ଞାନ କରାଗଲେ ଆଇନର ମୂଳ ଉଦ୍ଦେଶ୍ୟ ବିପଦରେ ପଡ଼ିବ ବୋଲି ସଂଶୋଧନର ସମାଲୋଚକମାନେ ଯୁକ୍ତି ବାଢୁଛନ୍ତି ।


 

ସରକାରୀ ଦଳର ସଦସ୍ୟମାନେ କେନ୍ଦ୍ରୀୟସ୍ତରର ମୁଖ୍ୟ ସୂଚନା ଆୟୁକ୍ତ ପଦବୀକୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ମର୍ଯ୍ୟଦା ଦିଆଯିବା ପ୍ରଥାକୁ ଅସଙ୍ଗତ ଚିତ୍ରଣ କରୁଥିବା ସ୍ଥଳେ ସୂଚନା ଆୟୁକ୍ତଙ୍କ ନିଷ୍ପତ୍ତି ବିରୋଧରେ ଉଚ୍ଚ ନ୍ୟାୟାଳୟରେ ଅପିଲର ସୁବିଧା ନଥିବା ଗଣତାନ୍ତ୍ରିକ ପ୍ରକ୍ରିୟାରପରିପନ୍ଥୀବୋଲି ଦର୍ଶାଉଛନ୍ତି । ଲୋକସଭାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ପ୍ରତିନିଧି ସୂଚନା ଅଧିକାର ଆଇନ ତରବରିଆଭାବେପ୍ରସ୍ତୁତ କରାଯାଇଥିବା ଦୋଷାରୋପ କରି ଆଇନଗତ ସଂସ୍କାର ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।


 

ଅନ୍ୟ କେତେକ ସମାଲୋଚକ ପ୍ରଶ୍ନ ଉଠାଉଛନ୍ତି ଯେ ଦେଶରେ ବହୁ ଜଟିଳ ସମସ୍ୟା ସମାଧାନର ଜରୁରି ଆବଶ୍ୟକତା ଥିବା ସ୍ଥଳେ ସରକାରଙ୍କ ପକ୍ଷରୁ ସୂଚନା ଅଧିକାର ଆଇନର ସଂଶୋଧନ ନିମନ୍ତେ ତତ୍ପରତା ମାତ୍ରାଧିକ ନୁହେଁ କି? ସରକାର ଅମଳାତନ୍ତ୍ରକୁ ଉପଯୋଗକରି ଶାସନ କରିଥାନ୍ତି । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକବେଳକୁ ଭାରତରେ ଶାସକଦଳମାନେଅମଳାତନ୍ତ୍ରକୁ ରାଜନୀତିକ କାର୍ଯ୍ୟକ୍ରମ ତଦାରଖରେ ମଧ୍ୟ ଉପଯୋଗ କରିବା ଉଦାହରଣ ଅଭାବ ନାହିଁ ।


 

ସରକାର ଓ ଅମଳାତନ୍ତ୍ରର ଗତିବିଧି ତନଖିବା ନିମନ୍ତେ ତଥ୍ୟ ସଂଗ୍ରହଲାଗି ସୂଚନା ଅଧିକାର ଆଇନ ସାଧାରଣ ନାଗରିକଙ୍କଲାଗି ସୀମିତ ମାତ୍ରାରେ ସୁଯୋଗ ସୃଷ୍ଟି କରିଛି । ତଥ୍ୟଗତ ପ୍ରମାଣ ହାସଲ ହୋଇପାରିଲେ ସରକାରୀ ତୃଟି ବିରୋଧରେ ଗଣମାଧ୍ୟମରେ ଚର୍ଚ୍ଚା କିମ୍ୱା ନ୍ୟାୟାଳୟର ଦ୍ୱାରସ୍ଥ ହେବା ସଂଭବପର । ତଥ୍ୟ ପ୍ରଦାନରେ ଅମଳାତନ୍ତ୍ର ଟାଳଟୁଳ ନୀତି ଅବଲମ୍ୱନକଲେ ସୂଚନା ଆଇନ ଅଧିକାର ଅନୁମୋଦିତ ସୂଚନା ଆୟୁକ୍ତଙ୍କଠାରେ ଆବେଦନ କରାଯାଇଥାଏ । ତେବେ ସୂଚନା ଆୟୁକ୍ତ ଅଧିକରୁ ଅଧିକ ସରକାରୀ ନିୟନ୍ତ୍ରଣ ପରିସରକୁ ଟଣା ଗଲେ ସରକାରୀ ପ୍ରଭାବ ଅନୁଭୂତ ହେବା ଓ ନାଗରିକଙ୍କ ଅଧିକାର ଖର୍ବ ହେବା ଭୟ ସ୍ୱାଭାବିକ ।


 

ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ସରକାରୀ ଦୁର୍ନୀତି ବିରୁଦ୍ଧରେ ସୂଚନା ଅଧିକାର ଆଇନ ନାଗରିକଙ୍କ ନିମନ୍ତେ ଏକ ଅମେଘ ଅସ୍ତ୍ର । ଭାରତରେ ଏହି ଆଇନ ପ୍ରଚଳନ ନିମନ୍ତେ ମୁଖ୍ୟତଃ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକ ପକ୍ଷରୁ ବିଂଶ ଶତାଦ୍ଦୀ ଶେଷ ବେଳକୁ ଚାପ ପ୍ରୟୋଗ କରାଯାଇଥିଲା । ୨୦୦୫ରେ ଆଇନ ପ୍ରଣୟନ ହେବାପରେ ପ୍ରଥମ ଦଶବର୍ଷ ଧରି ଏହାର ଉପଯୋଗିତା ସଂପର୍କରେ ସରକାରୀସ୍ତରରେ ଜନସାଧାରଣରେ ସଚେତନତା ପ୍ରସାର ନିମନ୍ତେ ବ୍ୟାପକ ଉଦ୍ୟମ ହୋଇଥିଲା । ଫଳରେ ଆଇନ ବ୍ୟବହାର ପରିମାଣ କ୍ରମାଗତ ବଢ଼ି ଚାଲିବାରେ ଲାଗିଛି । ୨୦୧୭ – ୧୮ ବାର୍ଷିକ ଅନୁଶୀଳନରେ କେନ୍ଦ୍ର ସରକାରଙ୍କ ସ୍ତରରେ ସୂଚନା ଅଧିକାର ଆଇନ ଉପଯୋଗରେ ତଥ୍ୟ ହାସଲ ନିମନ୍ତେ ଦରଖାସ୍ତ ସଂଖ୍ୟା ୩୫ ପ୍ରତିଶତ ଏବଂ ଦରଖାସ୍ତଗୁଡ଼ିକ ଆଧାରରେ ତଥ୍ୟ ହାସଲ ସଂଭବପର ନ ହୋଇ ପାରିବା ହେତୁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ପ୍ରଥମ ଅପିଲ ସଂଖ୍ୟା ୨୨ ପ୍ରତିଶତ ବଢିଥିବା ଜଣାଯାଏ ।


 

ସମକାଳରେ ଶାସକ ଦଳଗୁଡ଼ିକଶାସନ ବ୍ୟବସ୍ଥାରେ ଦୁର୍ନୀତି ବିଲୋପ ଓ ସ୍ୱଚ୍ଛତା ପ୍ରଚଳନ ନିମନ୍ତେ ଆହ୍ୱାନଦେଉଥିବା ଅବସରରେ ସରକାରୀ ନିୟନ୍ତ୍ରଣ ମୁକ୍ତ ତୃତୀୟ ପକ୍ଷ ଆନୁକୂଲ୍ୟରେ ଶାସନ ପ୍ରକ୍ରିୟା ସମୀକ୍ଷା ନିମନ୍ତେ ଅଧିକରୁ ଅଧିକ କାର୍ଯ୍ୟକ୍ରମ ଗ୍ରହଣ କରିବା ସେମାନଙ୍କ ପ୍ରତିଶୃତିବଦ୍ଧତାର ପରିଚୟ ଦେବ । ସୂଚନା ଅଧିକାର ଆଇନ ୨୦୦୫ ସମ୍ୱାଦ ପ୍ରଯୋଜନା ନିମନ୍ତେ ସରକାରୀ ତଥ୍ୟ ସଂଗ୍ରହ କ୍ଷେତ୍ରରେ ଗଣମାଧ୍ୟମକୁ ପ୍ରଶସ୍ତ ସୁଯୋଗ ସୁବିଧା ଯୋଗାଇଛି । ତେବେ ସ୍ଥଳ ବିଶେଷରେ ପ୍ରାଥମିକସ୍ତରରେ ତଥ୍ୟ ସଂଗ୍ରହ ସଂଭବପର ନ ହୋଇପାରିଲେ ଅପିଲ ଭିତ୍ତିଭୂମିକୁ ଦୃଢ଼ୀଭୂତ କରିବା ଲାଗି ସୂଚନା ଆୟୁକ୍ତଙ୍କଠାରେଅପିଲ ବିଚାରଣାର ସମୟସୀମା ନିର୍ଦ୍ଧାରଣ ଓ ଜିଲ୍ଲାସ୍ତରରେ ଅଧିକ ସୂଚନା ଆୟୁକ୍ତ ନିଯୁକ୍ତି ଭଳି ପଦକ୍ଷେପ ଗ୍ରହଣ ନିମନ୍ତେ ଆଇନ ସଂଶୋଧନ ସୂଚନା ଅଧିକାରକୁ ସଶକ୍ତ କରିପାରିବ ।       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଜୁଲାଇ ୨୦୧୯


ତଥ୍ୟ:



LS passes Bill amending RTI Act. The Times of India (Bhubaneswar Edition). July 23, 2019.


 

Don’t cage RTI (Editorial) The Times of India (Bhubaneswar Edition). July 22, 2019.


 

Banarjee, Shoumojit. Centre’s decision to bring amendments to RTI Act draws criticism from activists. The Hindu (Cuttack Edition). July 22, 2019.


 

Nair, Sobhana K. RTI Amendment Bill passed aimed protests in Rajya Sabha. The Hindu (Cuttack Edition). July 26, 2019.

ଡ଼ିଜିଟାଲ ମିଡ଼ିଆ ନିୟମାବଳୀ ସଂଶୋଧନ ୨୦୨୨

ଡ଼ିଜିଟାଲ ମିଡ଼ିଆ ନିୟମାବଳୀ ୨୦୨୧ ଫେବୃୟାରୀ ଶେଷ ସପ୍ତାହରେ କେନ୍ଦ୍ର ସରକାର ବିଜ୍ଞପ୍ତ କରିଥିଲେ । ‘ଇନଫରମେସନ ଟେକନୋଲଜି (ଗାଇଡ଼ଲାଇନ୍ସ ଫର ଇଣ୍ଟରମିଡ଼ିଆରି ଏଣ୍ଡ ଡ଼ିଜିଟାଲ ମିଡ଼ିଆ ଏଥିକ୍ସ କୋଡ଼)ରୁଲସ ୨୦୨୧’ ଏକ ନୂତନ ଆଇନ ନ ହୋଇଥିବା ସ୍ଥଳେ ପ୍ରଚଳିତ ଆଇନାବଳୀର ଉପଯୋଗ ନିମନ୍ତେ ନିୟମାବଳୀ ରୂପେ ବିକଶିତ ହୋଇଥିଲା । ଡ଼ିଜିଟାଲ ମିଡ଼ିଆ ଅନ୍ତର୍ଗତ ସୋସିଆଲ ମିଡ଼ିଆ, ସେସେଞ୍ଜର ଆପ୍ଲିକେସନ, ଭିଡ଼ିଓ ଓ ଅଡ଼ିଓ ଷ୍ଟ୍ରୀମିଂ ତଥା ସମ୍ୱାଦ ମଞ୍ଚଗୁଡ଼ିକରେ ଉପାଦାନ ‘କଣ୍ଟେଣ୍ଟ’ ସମ୍ପାଦନା, ଉପଭୋକ୍ତାଙ୍କ ଆପତ୍ତି ଅଭିଯୋଗ ମୀମାଂସା ଓ ଦେଶର ସାମ୍ୱିଧାନିକ ସର୍ତ୍ତାବଳୀ କାର୍ଯ୍ୟକାରୀକରିବା ଦିଗରେ ଏହି ନିୟମାବଳୀ ଅଭିପ୍ରେତ ଥିଲା ।

 

ନୂତନ ଡ଼ିଜିଟାଲ ମିଡ଼ିଆ ନିୟମାବଳୀ ୨୦୨୧ରେ ସୋସିଆଲ ମିଡ଼ିଆ ମଧ୍ୟସ୍ଥି ‘ଇଣ୍ଟର ମିଡ଼ିୟାରି’ଗୁଡ଼ିକୁ ସ୍ଥାନୀୟ ନିୟମକାନୁନ ପାଳନ ଦାୟିତ୍ୱ ନିର୍ବାହ ନିମନ୍ତେ ଅଧିକାରୀ ନିଯୁକ୍ତ କରିବା ନିମନ୍ତେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ପଚାଶ ଲକ୍ଷରୁ ଅଧିକ ପଞ୍ଜୀକୃତ ଉପଭୋକ୍ତା ‘ରେଜିଷ୍ଟାର୍ଡ ୟୁଜର୍ସ’ ଉପସ୍ଥିତ ଥିବା ମଞ୍ଚଗୁଡ଼ିକ ‘ସିଗ୍ନିଫିକେଣ୍ଟ ସୋସିଆଲ ମିଡ଼ିଆ ଇଣ୍ଟରମିଡ଼ିଆରି’ ରୂପେ ବିବେଚିତ ହେବା ଏବଂ ପ୍ରତ୍ୟେକ ସିଗ୍ନିଫିକେଣ୍ଟ ସୋସିଆଲ ମିଡ଼ିଆ ଇଣ୍ଟରମିଡ଼ିଆରିଙ୍କ ପକ୍ଷରୁ ଜଣେ ଲେଖା ଚିଫ କମ୍ପ୍ଳାୟନ୍ସ ଅଫିସର, ନୋଡ଼ାଲ କଣ୍ଟାକ୍ଟ ପରସନ ଓ ରେସିଡ଼େଣ୍ଟ ଗ୍ରୀଭେନ୍ସ ଅଫିସର ଇତ୍ୟାଦି ନିଯୁକ୍ତ କରି ମାସିକଭିତ୍ତିରେ କାର୍ଯ୍ୟଧାରା ବା ‘କମ୍ପ୍ଳାଏନ୍ସ ରିପୋର୍ଟ’ ପ୍ରକାଶ କରିବାକୁ ବାଧ୍ୟ । ସେମାନଙ୍କ ମଞ୍ଚରେ ପ୍ରସାରିତ ଆପତ୍ତିଜନକ ଉପାଦାନ ନିର୍ଦ୍ଦିଷ୍ଟ ସମୟସୀମାରେ ହଟାଇବାର ବ୍ୟବସ୍ଥା କରିବେ ।

 

ନିୟମାନୁଯାୟୀ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ଉପଭୋକ୍ତାଙ୍କ ଆପତ୍ତି ଅଭିଯୋଗ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରିବା ଆବଶ୍ୟକ । ଅଭିଯୋଗ ଦାଖଲର ୨୪ ଘଣ୍ଟା ମଧ୍ୟରେ ପ୍ରାପ୍ତିସ୍ୱୀକାର ଏବଂ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ଗ୍ରହଣ ବାଧ୍ୟତାମୂଳକ । ଉପଭୋକ୍ତାମାନେ ଯଦି କୌଣସି କାରଣରୁ ଡ଼ିଜିଟାଲ ମଞ୍ଚ ଦ୍ୱାରା ଅବସ୍ଥାପିତ ଅଧିକାରୀଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନହେବେ, ତେବେ ୩୦ ଦିନ ମଧ୍ୟରେ କେନ୍ଦ୍ରୀୟସ୍ତରରେ ଅଭିଯୋଗ ଅପିଲ ସମିତି ‘ଗ୍ରୀଭେନ୍ସ ଏପଲେଟ କମିଟି’ ନିକଟରେ ପୁନଃଅଭିଯୋଗ ଦାଖଲ କରିପାରିବେ ଏବଂ କମିଟି ଅଭିଯୋଗ ଗ୍ରହଣର ୩୦ ଦିନ ମଧ୍ୟରେ ଶୀର୍ଷ ନିଷ୍ପତ୍ତି ଶୁଣାଇବେ ।

 

‘ଗ୍ରୀଭେନ୍ସ ଏପଲେଟ କମିଟି’ ଗଠନ ନିମନ୍ତେ ‘ଇନଫରମେସନ ଟେକନୋଲଜି (ଗାଇଡ଼ଲାଇନ୍ସ ଫର ଇଣ୍ଟରମିଡ଼ିଆରି ଏଣ୍ଡ ଡ଼ିଜିଟାଲ ମିଡ଼ିଆ ଏଥିକ୍ସ କୋଡ଼) ରୁଲସ ଏମେଣ୍ଡମେଣ୍ଟ ରୁଲସ ୨୦୨୨’ ଗତ ୨୮ ଅକ୍ଟୋବର ୨୦୨୨ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗେଜେଟ ନୋଟିଫିକେସନ ରୂପରେ ପ୍ରକାଶ ପାଇଛି । ୨୦୨୧ରେ ପ୍ରକାଶିତ ନିୟମାବଳୀ ଅନୁପାଳନରେ ‘ଗ୍ରୀଭେନ୍ସ ଏପଲେଟ କମିଟି’ ଗଠନ ନିମନ୍ତେ ଜୁନ ୨୦୨୨ରେ ସରକାରଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ସର୍ବସାଧାରଣରେ ପ୍ରକାଶ କରାଯାଇଥିଲା । ବିଭିନ୍ନ ବର୍ଗରୁ ଉପସ୍ଥାପିତ ଅଭିମତ ତର୍ଜମାରେ ସଂଶୋଧିତ ନିୟମାବଳୀ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି । ଅବଶ୍ୟ ‘ଗ୍ରୀଭେନ୍ସ ଏପଲେଟ କମିଟି’ ଗଠନକୁ ବଡ଼ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ପକ୍ଷରୁ ବିରୋଧ କରାଯାଇଥିଲା । ଏଭଳି ନିୟମ କାର୍ଯ୍ୟକାରୀ କରିବା ଦ୍ୱାରା ସେମାନଙ୍କ କାର୍ଯ୍ୟଭାର ବଢ଼ିଯିବା ଅଭିଯୋଗ ଅଣାଯାଇଥିଲା ।

 

ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ କୌଣସି ଉପଭୋକ୍ତା ଡ଼ିଜିଟାଲ ମଞ୍ଚ ବିରୋଧରେ ଅଭିଯୋଗ ପ୍ରଥମେ ସଂପୃକ୍ତ ସଂସ୍ଥାକୁ ଜଣାଉଥିଲେ ଏବଂ ସେମାନଙ୍କ କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନହେଲେ ଅଦାଲତର ଆଶ୍ରୟ ନେଉଥିଲେ । ଏତଦ୍ୱାରା ସ୍ୱାଭାବିକ ଭାବେ ନ୍ୟାୟ ପାଇବାରେ ଯେ ବିଳମ୍ୱ ହେଉଥିଲା ତାହା ନୁହ, ଅନେକ କ୍ଷେତ୍ରରେ ବହୁ ବ୍ୟକ୍ତି ଆଇନ-ଅଦାଲତର ଜଟିଳ ସମସ୍ୟାରେ ସମୟ ଓ ଅର୍ଥ ବ୍ୟୟରୁ କ୍ଷାନ୍ତ ରହି ଅବିଚାର ସହିଯିବା ପାଇଁ ବାଧ୍ୟ ହେଉଥିଲେ । ଅନେକ କ୍ଷେତ୍ରରେ ସୋସିଆଲ ମିଡ଼ିଆ ମଧ୍ୟସ୍ଥିଙ୍କ ଦ୍ୱାରା ପରିଚାଳିତ ଉପଭୋକ୍ତା ଅଭିଯୋଗ ସମାଧାନ ଆଶା ଅନୁରୂପକ ନ ହୋଇପାରୁଥିବା ଦେଖିବାକୁ ମିଳୁଥିଲା । ନୂତନ ନିୟମ ପ୍ରଚଳନ ଦ୍ୱାରା ମଧ୍ୟସ୍ଥିଙ୍କ ନିଷ୍ପତ୍ତି ବିରୋଧରେ ଅପିଲ କରିବା ସୁବିଧା ସୁଯୋଗ ଉପଭୋକ୍ତା-କେନ୍ଦ୍ରୀକ ହେବ ବୋଲି ବିଚାର କରାଯାଇପାରେ ।

 

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ କିମ୍ୱା ଏକାଧିକ ‘ଗ୍ରୀଭେନ୍ସ ଏପଲେଟ କମିଟି’ ଗଠନ ନିମନ୍ତେ ସଂଶୋଧିତ ଆଇନରେ ସୂଚ଼ିତ କରାଯାଇଛି । ବିଜ୍ଞପ୍ତି ପ୍ରକାଶନର ତିନି ମାସ, ଅର୍ଥାତ ଜାନୁୟାରୀ ୨୦୨୩ ଶେଷ ସପ୍ତାହ ସୁଦ୍ଧା ପ୍ରଥମ ‘ଗ୍ରୀଭେନ୍ସ ଏପଲେଟ କମିଟି’ ଗଠିତ ହେବା ସ୍ପଷ୍ଟ। ଏଥିରେ ଜଣେ ଅଧ୍ୟକ୍ଷ ଏବଂ ଦୁଇ ଜଣ ସଭ୍ୟ ରହିବେ । ସଭ୍ୟମାନେ ପୂର୍ଣ୍ଣକାଳୀନ ‘ହୋଲ-ଟାଇମ-ମେମ୍ୱର’ ଭାବେ କାର୍ଯ୍ୟକରିବେ । ଅଧ୍ୟକ୍ଷ ଓ ସଭ୍ୟଦ୍ୱୟ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ହେଉଥିବା ହେତୁ ସେମାନେ ସରକାରୀ ଚାପ ବଶବର୍ତ୍ତୀ ହେବେ ବୋଲି ଇଣ୍ଟରନେଟ ସ୍ୱାଧୀନତା ସଂଗ୍ରାମୀ ‘ଇଣ୍ଟରନେଟ ଫ୍ରିଡ଼ମ ଏକ୍ଟିଭିଷ୍ଟ’ମାନେ ଅଭିଯୋଗ କରିଆସିଛିନ୍ତି ।

 

ଗେଜେଟ ବିଜ୍ଞପ୍ତି ପ୍ରକାରରେ ସୋସିଆଲ ମିଡ଼ିଆ ମଧ୍ୟସ୍ଥିଗୁଡ଼ିକ ‘ଗ୍ରୀଭେନ୍ସ ଏପଲେଟ କମିଟି’ର ନିର୍ଦ୍ଦେଶ ମାନିବା ନିମନ୍ତେ ବାଧ୍ୟ । ପ୍ରତ୍ୟେକ ମଞ୍ଚ ପ୍ରତ୍ୟେକ ମାସରେ କେତେ ସଂଖ୍ୟକ ଓ କେଉଁ କେଉଁ ନିର୍ଦ୍ଦେଶଗୁଡ଼ିକୁ କାର୍ଯ୍ୟକାରୀ କରିଛନ୍ତି, ତାହାର ବିଶଦ ବିବରଣୀ ନିଜ ୱେବସାଇଟରେ ପ୍ରକାଶ କରିବେ । ଫଳରେ ସର୍ବସାଧାରଣ ନାଗରିକଙ୍କ ଅଭିଯୋଗ, କମିଟିର ନିଷ୍ପତ୍ତି ଓ ମଧ୍ୟସ୍ଥି ମଞ୍ଚର କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅବଗତ ହୋଇପାରିବେ । ଏହି ପ୍ରକ୍ରିୟା ପରୋକ୍ଷରେ ଉପଭୋକ୍ତାଙ୍କୁ ନିଜ ଅଧିକାର ସଂପର୍କରେ ସଚ଼େତନ କରାଇପାରିବ ।

 

ସଂଶୋଧିତ ନିୟମ ଅନୁଯାୟୀ ଅଭିଯୋଗ ମୀମାଂସା ସଂପର୍କୀତ ଘୋଷଣାନାମା ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ନିଜ ୱେବସାଇଟରେ ଦୃଷ୍ଟି ଆକର୍ଷକ ଢ଼ଙ୍ଗରେ ପ୍ରଦର୍ଶିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଇଂଲିଶ ସମେତ ୨୨ ଗୋଟି ଭାରତୀୟ ଭାଷାରେ ଏଭଳି ଘୋଷଣାନାମା ପ୍ରକାଶିତ ହେବ । ଉପଭୋକ୍ତାମାନେ ଅଶ୍ଳିଳ, ବ୍ୟକ୍ତିଗତ ଗୋପନୀୟତା ଉଲଂଘନ, ମାନହାନୀ ଓ ଦେଶଦ୍ରୋହ ପ୍ରଣୋଦିତ ଉପାଦାନ ପ୍ରକାଶନରୁ କ୍ଷାନ୍ତ ରହିବା ନିମନ୍ତେ ଚ଼େତାବନୀ ବ୍ୟାପକ ପ୍ରଚାର ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ସରକାର ଏବଂ ଅଦାଲତଙ୍କ ପକ୍ଷରୁ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ପ୍ରଦାନ କରାଯାଉଥିବା ନିର୍ଦ୍ଦେଶାବଳୀ ୭୨ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ପଡ଼ିବ ।

 

ଡ଼ିଜିଟାଲ ମିଡ଼ିଆ ନିୟମାବଳୀ ସଂଶୋଧନ ୨୦୨୨ ମୁଖ୍ୟତଃ ସୋସିଆଲ ମିଡ଼ିଆର ଅପବ୍ୟବହାରରେ ଅଙ୍କୁଶ ସୃଷ୍ଟି ଆଶା କରାଯାଇପାରେ । ମହାମାରୀ-ପର ପରିବେଶରେ ସୋସିଆଲ ମିଡ଼ିଆ ଉପଭୋକ୍ତାଙ୍କ ପ୍ରାଥମିକ ଗଣମାଧ୍ୟମରୂପେ ବିବେଚ଼ିତ ହେଉଥିବା ସ୍ଥଳେ ଏହାର ଅପବ୍ୟବହାରକୁ ରୋକିବା ନିମନ୍ତେ ନ୍ୟାୟୋଚ଼ିତ ପଦକ୍ଷେପ ଜରୁରିଥିବା ଦୀର୍ଘକାଳରୁ ଅନୁଭୂତ ହେଉଥିଲା । ଡ଼ିଜିଟାଲ ମଞ୍ଚରେ ନୂତନ ଉଦ୍ଭାବନମାନ ପାରମ୍ପରିକଭାବେ ପ୍ରତିଷ୍ଠାଲାଭ କରିଥିବା ଗଣମାଧ୍ୟମ ମଞ୍ଚଗୁଡ଼ିକର ପ୍ରଭାବକୁ କ୍ଷୁର୍ଣ୍ଣ କରିଚାଲିଥିବା ଅବସରରେ ସାମାଜିକ ନିୟନ୍ତ୍ରଣର ଆବଶ୍ୟକତାକୁ ଅଣଦେଖା କରିହେବନାହିଁ ।  ତେବେ ଅପରପକ୍ଷରେ ମାତ୍ରାଧିକ ସରକାରୀ ନିୟନ୍ତ୍ରାଧୀନ ହେବା ମଧ୍ୟ ସ୍ୱେଚ୍ଛାଚାର ବିପଦକୁ ଆମନ୍ତ୍ରଣ କରିଥାଏ । ଏହି କ୍ଷେତ୍ରରେ ସମତୁଲ ରକ୍ଷା କରିବା ନିମନ୍ତେ ସଚ଼େତନ ନାଗରିକ ସମାଜର ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ।        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ନଭେମ୍ୱର ୨୦୨୨


ତଥ୍ୟ:



https://egazette.nic.in/WriteReadData/2022/239919.pdf

 

Lele, Sourabh, Govt has its way on social media grievance redress. Business Standard (Bhubaneswar Edition). October 29, 2022

 

https://www.business-standard.com/article/economy-policy/meity-notifies-it-amendment-rules-to-appoint-gacs-in-three-months-122102801314_1.html 

ଚ଼ିଠା ଟେଲିଯୋଗାଯୋଗ ବିଲ ୨୦୨୨

ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ପ୍ରଚଳିତ ୧୩୭ ବର୍ଷ ପୁରାତନ ‘ଇଣ୍ଡିଆନ ଟେଲିଗ୍ରାଫ ଆକ୍ଟ ୧୮୮୫’ ପ୍ରତ୍ୟାହାର କରି ଏକ ଯୁଗୋପଯୋଗୀ ଟେଲିଯୋଗାଯୋଗ ଆଇନ ପ୍ରବର୍ତ୍ତନ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ‘ଇଣ୍ଡିଆନ ୱାୟଲେସ ଟେଲିଗ୍ରାଫି ଆକ୍ଟ ୧୯୩୩’ ଏବଂ ‘ଟେଲିଗ୍ରାଫ ୱାୟରର୍ସ (ଅନ-ଲ-ଫୁଲ ପୋସେସନ) ଆକ୍ଟ ୧୯୫୦’ ମଧ୍ୟ ସାମିଲ ହେବ । ପ୍ରସ୍ତାବିତ ‘ଇଣ୍ଡିଆନ ଟେଲିକମ୍ୟୁନିକେସନ୍ସ ବିଲ ୨୦୨୨’ର ଚିଠା ସଂସ୍କରଣ ୨୨ ସେପ୍ଟେମ୍ୱର ୨୦୨୨ରେ ପ୍ରକାଶିତ ହେବା ପରେ ୨୦ ଅକ୍ଟୋବର ୨୦୨୨ ପ୍ରାୟ ମାସକ ଯାଏଁ ଜନସାଧାରଣଙ୍କୁ ପ୍ରତିକ୍ରିୟା ଦାଖଲ ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଥିଲା ।

 

ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଭାରତରେ ଟେଲିଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସୂତ୍ରପାତ ହୋଇଥିଲା । ୨୦୧୬ରୁ ୪ଜି ଟେଲିଯୋଗାଯୋଗ ସେବା ଆରମ୍ଭ ପରେ ଟେଲି-ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ତଥା କରୋନା-ଭୂତାଣୁଜନିତ ମହାମାରୀ କାଳରେ ଜନଜୀବନର ଅବିଚ୍ଛେଦ୍ୟ ଅଙ୍ଗ ରୂପେ ପରିଣତ ହେବା ଅବସରରେ ଟେଲିଯୋଗାଯୋଗ ଅସଦବ୍ୟବହାର ରୋକିବା ନିମନ୍ତେ ନୂତନ ଆଇନ ପ୍ରଣୟନ ଅପରିହାର୍ଯ୍ୟ ହୋଇପଡ଼ିଥିଲା । ଏହି ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୁଲାଇ ୨୦୨୨ରେ ସର୍ବସାଧାରଣଙ୍କଠାରୁ ପରାମର୍ଶ ଲୋଡ଼ାଯାଇ ‘କନସଲଟେସନ ପେପର’ ପ୍ରକାଶିତ ହୋଇଥିଲା । ଟେଲିଯୋଗାଯୋଗ ଶିଳ୍ପରେ ସଂପୃକ୍ତ ପକ୍ଷମାନେ ପ୍ରତିକ୍ରିୟା ଉପସ୍ଥାପନ ପରେ ତାହାରି ଆଧାରରେ ‘ଡ୍ରାଫ୍ଟ ଇଣ୍ଡିଆନ ଟେଲିକମ୍ୟୁନିକେସନ ବିଲ ୨୦୨୨’ ପ୍ରଣୀତ ହୋଇଥିବା କୁହାଯାଏ ।

 

ଚିଠା ବିଲ ସଂପର୍କରେ ମୁଖ୍ୟତଃ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ, ତତ୍ ସଂପର୍କୀତ ସଂଗଠନ ଓ ଅନଲାଇନ ସ୍ୱାଧୀନତା ସୁରକ୍ଷା ନାଗରିକ ସମାଜ କର୍ମ୍ମୀଙ୍କ ମତାମତ ସଂଗ୍ରହ ପରେ ପୂର୍ଣ୍ଣାଙ୍ଗ ଆଇନ ପ୍ରସ୍ତୁତି ପରେ ପାର୍ଲାମେଣ୍ଟରେ ଆଲୋଚନା ନିମନ୍ତେ ଉପସ୍ଥାପନ କରାଯିବା କାର୍ଯ୍ୟଧାରା ସ୍ଥିରୀକୃତ ହୋଇଛି । କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଏହି ପ୍ରକ୍ରିୟା ଛଅରୁ ଦଶ ମାସ ଆବଶ୍ୟକ କରିବା ସୂଚାଇ ସରକାର ତରବରରେ କୌଣସି କାର୍ଯ୍ୟକ୍ରମକୁ ଅନିଚ୍ଛୁକ ଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ବିଲ ସପକ୍ଷ ଓ ବିପକ୍ଷରେ ଭାରତୀୟ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ୨୦୨୨ ସେପ୍ଟେମ୍ୱର ଶେଷ ସପ୍ତାହରେ ସାମାନ୍ୟ ଆଲୋଚ଼ନା ହୋଇଥିବା ଦେଖିବାକୁ ମିଳିଥିଲା ।

 

ଚିଠା ବିଲରେ ଉପଭୋକ୍ତା ପରିଚ଼ିତି ‘ନୋ-ୟୁଆର-କଷ୍ଟମର’, ପ୍ରତ୍ୟେକ ଟେଲିଫୋନ ଭଏସ ଓ ଭିଡ଼ିଓ କଲରଙ୍କ ପରିଚ଼ୟ ପ୍ରକାଶ ଏବଂ ଟେଲିଯୋଗାଯୋଗ ସଂପର୍କୀତ ଉପଭୋକ୍ତାଙ୍କ ଅଭିଯୋଗ ସମାଧାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଭଳି ତିନିଗୋଟି ବିଷୟ ପ୍ରତି ସାଧାରଣରେ ସହମତି ପ୍ରକାଶ ପାଇଥିଲା । ତେବେ ସମସ୍ତ ଇଣ୍ଟରନେଟଭିତ୍ତିକ ଟେଲିଯୋଗାଯୋଗ ଆପ୍ଲିକେସନ ଓ ଓଭର-ଦି-ଟପ ଓଟିଟି ମଞ୍ଚଗୁଡ଼ିକୁ ପ୍ରସ୍ତାବିତ ଆଇନର ପରିସରଭୁକ୍ତ କରାଯିବାକୁ ବିରୋଧ କରାଯାଇଥିଲା ।

 

ପ୍ରଥମତଃ, ପରିବର୍ତ୍ତିତ ପରିବେଶରେ ସମସ୍ତ ଟେଲି-ଉପଭୋକ୍ତାଙ୍କ ସଠିକ ପରିଚ଼ୟ ସଂଗ୍ରହ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଟେଲିଯୋଗାଯୋଗ ବ୍ୟବସ୍ଥାର ଅସଦବ୍ୟବହାର ରୋକିବା ନିମନ୍ତେ ପ୍ରତ୍ୟେକ ଉପଭୋକ୍ତାଙ୍କ ସଠିକ ପରିଚ଼ୟ ହାସଲ ହୋଇପାରିଲେ ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ପକ୍ଷକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରାଯାଇପାରିବ । ଏହିଭଳି ନୂତନ ବ୍ୟବସ୍ଥା ଲାଗୁକରିବା ନିମନ୍ତେ ଟେଲିସେବା-ପ୍ରଦାନକାରୀଙ୍କୁ ଏକ ବର୍ଷ ସମୟ ମଞ୍ଜୁର କରିବା ନିମନ୍ତେ ଚିଠା ବିଲରେ ପ୍ରାବଧାନ ରହିଛି ।

 

ଦ୍ୱିତୀୟତଃ, ଟେଲିଯୋଗାଯୋଗ କ୍ଷେତ୍ରରେ କଲ କରୁଥିବା ବ୍ୟକ୍ତିବିଶେଷଙ୍କ ନାମ କଲ ଗ୍ରହଣ କରୁଥିବା ବ୍ୟକ୍ତିବିଶେଷ ଜାଣିପାରିବା ଲାଗି ବୈଷୟିକ ବ୍ୟବସ୍ଥା ପ୍ରଚଳନ ନିମନ୍ତେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହିଭଳି ସୁବିଧା ‘ଟ୍ରୁ-କଲର’ ଭଳି ଆପ୍ଲିକେସନ ବ୍ୟବହାରରେ ସମ୍ଭବ ହୋଇପାରୁଥିବା ସ୍ଥଳେ ସମସ୍ତ କଲରେ ଏହି ସୁଯୋଗ ପରିବ୍ୟାପ୍ତ ଲାଗି ଚ଼ିନ୍ତା କରାଯାଉଛି । ଏହି ବ୍ୟବସ୍ଥା ମଧ୍ୟ ଟେଲିଯୋଗାଯୋଗ ଅସଦବ୍ୟବହାର ରୋକିବାରେ ସହାୟକ ହୋଇପାରିବ ।

 

ତୃତୀୟତଃ, ଉପଭୋକ୍ତାଙ୍କ ଟେଲିଯୋଗାଯୋଗ କ୍ଷେତ୍ରରେ ଆପତ୍ତି ଅଭିଯୋଗର ନିଶ୍ଚିତ ଓ ତୁରନ୍ତ ସମାଧାନ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ଅନ୍ୟତମ ଉପଭୋକ୍ତାକେନ୍ଦ୍ରୀକ ଉଦ୍ୟମ ରୂପେ ଗ୍ରହଣ କରାଯାଇପାରେ । ଦେଶରେ ମାଲିମକଦ୍ଦମାର ସଂଖ୍ୟା ବଢ଼ିଚାଲିଥିବା ଅବସରରେ ସାଧାରଣ ବିଚାର ପ୍ରକ୍ରିୟାରୁ ଟେଲିଯୋଗାଯୋଗ ମାମଲାଗୁଡ଼ିକ ଅପସାରଣ ଦ୍ୱାରା ସମାଧାନ ପ୍ରକ୍ରିୟା ଯେ ତ୍ୱରାନ୍ୱିତ ହେବ ଏଥିରେ ସନ୍ଦେହ ନାହିଁ । ଅତଏବ ଏହି ଦିଗରେ କାହାରି ଆପତ୍ତି ନରହିବା ସ୍ୱାଭାବିକ ।

 

ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଭାରତରେ ଇଣ୍ଟରନେଟ ପ୍ରସାର ଅବସରରେ ଯୋଗାଯୋଗ କ୍ଷେତ୍ରରେ ଉପଲବ୍ଧ ବିଭିନ୍ନ ବୈଷୟିକ ଉଦ୍ଭାବନ ଉପଯୋଗ ହେବାରେ ଲାଗିଛି । ଏତଦ୍ୱାରା ଏକପକ୍ଷରେ ଯୋଗାଯୋଗ ପରିସରରେ କେତେକ ନୂତନ ଧାରା ‘ଟ୍ରେଣ୍ଡ’ ସୃଷ୍ଟି ହୋଇଥିବା ବେଳେ ଅପରପକ୍ଷରେ ପାରମ୍ପରିକ ବ୍ୟବସ୍ଥାର ବିରୁଦ୍ଧାଚ଼ରଣ କରୁଛି । ଉଦାହରଣରେ ଭିଡ଼ିଓ କଲ ଏକ ଆଧୁନିକ ବ୍ୟବସ୍ଥା ହୋଇଥିବା ଏବଂ ଇଣ୍ଟରନେଟ ବ୍ୟବହାରରେ ମାଗଣାରେ ବିଭିନ୍ନ ଆପ୍ଲିକେସନ ଯୋଗେ ଅଡ଼ିଓ ଓ ଭିଡ଼ିଓ କଲର ସୁବିଧା ପାରମ୍ପରିକ ମଞ୍ଚଗୁଡ଼ିକର ଆୟହାନୀର କାରଣ ପାଲଟିଛି ।

 

ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟ ଏହିଯେ ସମକାଳୀନ ଜନଜୀବନରେ ଇଣ୍ଟରନେଟ ଆପ୍ଲିକେସନ୍ସ ଉପଯୋଗରେ ପରସ୍ପର ମଧ୍ୟରେ ଯୋଗାଯୋଗ ଧାରା ଯେଉଁମାତ୍ରାରେ ପ୍ରସାର ଲାଭ କରିଛି, ସେଥିରେ କୌଣସି ପ୍ରକାର ହସ୍ତକ୍ଷେପ ଗୁରୁତର ସାମାଜିକ ବିଭ୍ରାଟ ସୃଷ୍ଟି କରିବ । ଚିଠା ଟେଲିଯୋଗାଯୋଗ ବିଲ ୨୦୨୨ରେ ଇଣ୍ଟରନେଟଭିତ୍ତିକ ଯୋଗାଯୋଗ ମଞ୍ଚଗୁଡ଼ିକ ଟେଲିଯୋଗାଯୋଗ ସେବାପ୍ରଦାନକାରୀ ଶ୍ରେଣୀଭୁକ୍ତ କରିବା ଏବଂ ପ୍ରଚଳିତ ଟେଲିଯୋଗାଯୋଗ ଆଇନାବଳୀ ଲାଗୁ କରାଯିବା ନିମନ୍ତେ ପ୍ରସ୍ତାବ ରହିଛି । ଏହାଫଳରେ ଜିମେଲ, ୟାହୁ ଭଳି ଇଲକ୍ଟ୍ରୋନିକ ମେଲ ସେବା ଠାରୁ ଆରମ୍ଭ କରି ହ୍ୱାଟସଆପ, ଜୁମ ଯାଏଁ ଭିଡ଼ିଓ କନଫରେନ୍ସ ମଞ୍ଚଗୁଡ଼ିକ ଟେଲିଯୋଗାଯୋଗ ଆଇନ ପରିସରଭୁକ୍ତ ହେବେ ।

 

ଆଲୋଚ଼ନାର ବିଷୟ ଏହିଯେ ଜିମେଲ, ୟାହୁ, ହ୍ୱାଟସଆପ, ଜୁମର କାର୍ଯ୍ୟଧାରା ନିୟନ୍ତ୍ରଣ ନିମନ୍ତେ ଆଇନଗତ ପ୍ରାବଧାନ ରହୁ । କିନ୍ତୁ ଏଗୁଡ଼ିକର କାର୍ଯ୍ୟଧାରା ଓ ଉପଯୋଗ ପାରମ୍ପରିକ ଟେଲିଯୋଗାଯୋଗ ମଞ୍ଚଗୁଡ଼ିକଠାରୁ ସଂପୂର୍ଣ୍ଣ ଭିନ୍ନ ଥିବା ହେତୁ ଏକକ ଆଇନ ପରିସରଭୁକ୍ତ ହେବା ଅସମୀଚୀନ ବୋଧହୁଏ । ଏହି ପ୍ରସ୍ତାବର ସମାଲୋଚ଼ନା କରି ଇଣ୍ଟରନେଟ ଫ୍ରିଡ଼ମ ଫାଉଣ୍ଡେସନ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ଯେ ଟେଲିଯୋଗାଯୋଗ ସେବା ପ୍ରଦାନକାରୀମାନେ ବ୍ରଡ଼ବ୍ୟାଣ୍ଡ ଯୋଗାଇଥାନ୍ତି । ଓଭର-ଦି-ଟପ ମଞ୍ଚଗୁଡ଼ିକ ଉପଲବ୍ଧ ଅନଲାଇନ ପରିବେଶରେ ଯୋଗାଯୋଗର ସୁଯୋଗ ସୃଷ୍ଟି କରିଥାନ୍ତି । ଓଟିଟି ମଞ୍ଚଗୁଡ଼ିକ ଟେଲିଯୋଗାଯୋଗ ସେବା ଆଶ୍ରିତ ଏବଂ ବିନା ଅନଲାଇନ ସଂଯୋଗରେ ଉପଭୋକ୍ତାଙ୍କଠାରେ ପହଞ୍ଚିବା ଅସଂଭବ । ଏହି କ୍ଷେତ୍ରରେ ଟେଲିଯୋଗାଯୋଗ ସେବା ପ୍ରଦାନକାରୀଙ୍କ ସହ ଓଟିଟି ମଞ୍ଚକୁ ଏକ ଆଇନ ଅଧିନକୁ ଆଣିବା ଉଦ୍ୟମ ଗ୍ରହଣୀୟ ନୁହ ।

 

ଦେଶରେ ଟେଲିଯୋଗାଯୋଗ ଆଇନ ସଂସ୍କାର ଉଦ୍ୟମ ଅଭିନନ୍ଦନୀୟ । ତେବେ ଆଇନରେ ତୃଟି ବିଚ୍ୟୁତି ଟେଲିଯୋଗାଯୋଗ ବିକାଶରେ ପ୍ରତିବନ୍ଧକ ସାଜିବା ସାଙ୍ଗକୁ ଉପଭୋକ୍ତାଙ୍କୁ ମଧ୍ୟ ପ୍ରତିକୂଳ ପରିସ୍ଥିତିକୁ ଠେଲି ଦେବା ଭୟ ରହିଥାଏ । ମହାମାରୀ-ପର ‘ନ୍ୟୂ-ନରମଲ’ରେ ଉଭୟ ଜନସ୍ୱାସ୍ଥ୍ୟ ଓ ଅର୍ଥନୀତିକ କାର୍ଯ୍ୟଧାରା ସଂପ୍ରସାରଣ ନିମନ୍ତେ ଦୂରାବସ୍ଥାନ ନୀତି ଅନୁସରଣ କରାଯାଉଥିବା ଅବସରରେ ଟେଲିଯୋଗାଯୋଗ ଅସଦବ୍ୟବହାରରୁ ମୁକ୍ତ ରଖିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଅନଲାଇନ ପରିବେଶକୁ ସେତିକି ମାତ୍ରାରେ ସ୍ୱଚ୍ଛ, ଗଣତାନ୍ତ୍ରିକ ଓ ମୁକ୍ତ ରଖିବା ମାନସିକତା ପ୍ରସାର ସେହିମାତ୍ରାରେ ଅପରିହାର୍ଯ୍ୟ ।         


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୦ ନଭେମ୍ୱର ୨୦୨୨


ତଥ୍ୟ:



Draft Bill and Explanatory Note

 

https://dot.gov.in/relatedlinks/indian-telecommunication-bill-2022

 

 

Press Information Bureau. Press Release Dt. 22/09/2022

 

https://pib.gov.in/PressReleasePage.aspx?PRID=1861399

 

 

What is the draft telecommunication bill ?

 

https://www.business-standard.com/about/what-is-draft-telecommunications-bill

 

New telecom draft bill to bring OTT platforms under licensing regime

 

https://www.dailypioneer.com/2022/india/new-telecom-draft-bill-to-bring-ott-platforms-under-licensing-regime.html

 

 

The draft Indian Telecommunication Bill 2022 retains its colonial roots

 

https://internetfreedom.in/the-draft-indian-telecommunication-bill/ 

ବ୍ୟକ୍ତଗତ ତଥ୍ୟ ସୁରକ୍ଷା ବିଲ ପ୍ରତ୍ୟାହୃତ

କେନ୍ଦ୍ର ସରକାରଙ୍କ ଦ୍ୱାରା ୧୧ ଡ଼ିସେମ୍ୱର ୨୦୧୯ରେ ଉପସ୍ଥାପିତ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ ‘ପରସନାଲ ଡ଼ାଟା ପ୍ରୋଟେକସନ ବିଲ ୨୦୧୯’ ୩ ଅଗଷ୍ଟ ୨୦୨୨ରେ ସୂଚ଼ନା ପ୍ରାଦ୍ୟୋଗିକ ମନ୍ତ୍ରୀଙ୍କ ଦ୍ୱାରା ଲୋକସଭାରେ ପ୍ରତ୍ୟାହାର ଘୋଷଣା କରାଯାଇଥିଲା । ସରକାରୀସ୍ତରରେ ପ୍ରସ୍ତୁତ ଚିଠା ବିଲଟି ପ୍ରାୟ ତିନି ବର୍ଷ ଧରି ପାର୍ଲାମେଣ୍ଟ ତଥା ପାର୍ଲାମେଣ୍ଟ ବାହାରେ ଚର୍ଚ୍ଚିତ ହେବାପରେ ପ୍ରତ୍ୟାହୃତ ହେବା ଏହି କ୍ଷେତ୍ରରେ ସମ୍ୱେଦନଶୀଳ ପରିସ୍ଥିତି ସୂଚ଼ିତ କରିଥାଏ । ମନ୍ତ୍ରୀ କହିଥିଲେ ଯେ ଡ଼ିଜିଟାଲ ମଞ୍ଚ ନିୟନ୍ତ୍ରଣ ଲାଗି ପୂର୍ଣ୍ଣାଙ୍ଗ ଆଇନଗତ ଦିଗ ନିର୍ଦ୍ଧାରଣ ‘କମ୍ପ୍ରିହେନସିଭ ଲିଗାଲ ଫ୍ରେମୱାର୍କ’ରେ ଆଇନାବଳୀ ସରକାରଙ୍କ ପକ୍ଷରୁ ଅଣାଯିବ । ଏଥିଲାଗି ସର୍ବସାଧାରଣରେ ଆଲୋଚ଼ନା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ରହିବ ।

 

ଅନଲାଇନ ପରିବେଶର ବ୍ୟାପ୍ତି ଓ ବୃଦ୍ଧି ଅବସରରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷାଲାଗି ଆବଶ୍ୟକୀୟ ଆଇନ ପ୍ରଣୟନ ଆବଶ୍ୟକତା ଅନୁଭୂତ ହେବା ସ୍ଥଳେ ନ୍ୟାୟାଧୀଶ ବି.ଏନ. ଶ୍ରୀକ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଜୁଲାଇ ୨୦୧୮ରେ ଏକ ଚ଼ିଠା ବିଲ ପ୍ରସ୍ତୁତ କରି ସରକାରଙ୍କଠାରେ ଦାଖଲ କରିଥିଲେ । ସେହି ବର୍ଷ ଅକ୍ଟୋବର ମାସରୁ ସରକାରୀସ୍ତରରେ ବିଲ ପ୍ରସ୍ତୁତ କରାଯାଇ ଡ଼ିସେମ୍ୱର ୨୦୧୯ରେ ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇ ଆଲୋଚ଼ନା ପରେ ସମୀକ୍ଷା ନିମନ୍ତେ ବିଜେପି ସାଂସଦ ମୀନାକ୍ଷୀ ଲେକ୍ଷୀଙ୍କ ଅଧ୍ୟକ୍ଷତାରେ ଏକ ଜଏଣ୍ଟ ପାର୍ଲାମେଣ୍ଟରୀ କମିଟୀ ଗଠିତ ହୋଇଥିଲା । ବିଲର ସମୀକ୍ଷା ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ ନ ହେବାରୁ ସେପ୍ଟେମ୍ୱର ୨୦୨୦ରେ କମିଟୀର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । କମିଟୀର ଅଧ୍ୟକ୍ଷ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦକୁ ଉନ୍ନୀତ ହେବା ଫଳରେ ଜୁଲାଇ ୨୦୨୧ରେ ପି.ପି.ଚୌଧୂରୀ ନୂତନ ଅଧ୍ୟକ୍ଷ ଭାବେ ଅଧିଷ୍ଠିତ ହେଲେ । ଡ଼ିସେମ୍ୱର ମାସରେ ପାର୍ଲାମେଣ୍ଟରେ କମିଟୀଙ୍କ ରିପୋର୍ଟ ଉପସ୍ଥାପନ ପରେ ବିତର୍କ ଆରମ୍ଭ ହୋଇଥିଲା । ଶେଷରେ ୨୦୨୨ରେ ବିଲଟି ପ୍ରତ୍ୟାହୃତ ଘୋଷଣା କରାଯାଇଥିଲା ।

 

ବିଲ ପ୍ରତ୍ୟାହାର କାଳରେ ସରକାରଙ୍କ ପକ୍ଷରୁ ସୂଚ଼ିତ କାରଣ ମଧ୍ୟରେ କୁହାଯାଇଥିଲା ଯେ ଆଲୋଚ୍ୟ ବିଲଟିରେ ୯୯ ଗୋଟି ଧାରା ‘ସେକସନ’ ଥିବା ସ୍ଥଳେ ଜଏଣ୍ଟ ପାର୍ଲାମେଣ୍ଟରୀ କମିଟୀ ୮୧ ଗୋଟି ସଂଶୋଧନ ‘ଏମେଣ୍ଡମେଣ୍ଟ’ ନିମନ୍ତେ ସୂଚ଼ିତ କରିଥିଲେ । ଏତଦ୍ ବ୍ୟତୀତ କମିଟୀ ରିପୋର୍ଟରେ ୧୨ ଗୋଟି ସୁପାରିଶ ‘ରିକମେଣ୍ଡେସନ’ ମଧ୍ୟ ସନ୍ନିବେଶିତ ହୋଇଥିଲା । ଅନଲାଇନ ପରିବେଶରେ ବ୍ୟକ୍ତିଗତ ତଥ୍ୟର ସୁଦୂରପ୍ରସାରୀ ପ୍ରଭାବ କ୍ରମଶଃ ସର୍ବସାଧାରଣରେ ଅନୁଭୂତ ହେବାରେ ଲାଗିଛି । ଏହି କ୍ରମବିକଶିତ ବୈଷୟିକ କୌଶଳ ସଂପର୍କରେ ଜନସାଧାରଣ ଅବଗତ ନଥିବା ହେତୁ ଅଜାଣତରେ ଅର୍ଥନୀତିକ, ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ସ୍ୱାର୍ଥନ୍ୱେଷୀଙ୍କ ଦ୍ୱାରା ଲୁଣ୍ଠିତ ହୋଇଥାନ୍ତି । ତତ୍ ଜନିତ ଉପଲବ୍ଧି କ୍ରମଶଃ ଜନଜୀବନରେ ଚର୍ଚ୍ଚାର ପରିସରଭୁକ୍ତ ହେବା ପରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷାର ମହତ୍ତ୍ୱ ବଢ଼ି ଚାଲିଛି ।

 

ଚିଠା ଡ଼ାଟା ପ୍ରୋଟେକସନ ବିଲ ୨୦୧୯ରେ ଜଏଣ୍ଟ ପାର୍ଲାମେଣ୍ଟରୀ କମିଟୀ ପକ୍ଷରୁ ଯେଉଁ ସବୁ ପରିବର୍ତ୍ତନ ନିମନ୍ତେ ପରାମର୍ଶ ଦିଆଯାଇଥିଲା ସେଥିମଧ୍ୟରେ ଫେସବୁକ, ଟୁଇଟର ଭଳି ସୋସିଆଲ ମିଡ଼ିଆ ମେସେଞ୍ଜର ମଞ୍ଚଗୁଡ଼ିକୁ ସେମାନଙ୍କ ଦ୍ୱାରା ପ୍ରସାରିତ ସମସ୍ତ ପୋଷ୍ଟର ପ୍ରକାଶକ ଭାବେ ବିବେଚ଼ନା କରିବା ନିମନ୍ତେ ପ୍ରସ୍ତାବ ବିବାଦମାନ ବିବେଚ଼ିତ ହୋଇଥିଲା । ପ୍ରଚଳିତ ଆଇନ ଅନୁଯାୟୀ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ମଧ୍ୟସ୍ଥି ‘ଇଣ୍ଟରମିଡ଼ିଆରି’ ଭାବେ ଗ୍ରହଣ କରାଯାଉଛି । ‘ଇନଫରମେସନ ଟେକନୋଲଜି ଆକ୍ଟ ୨୦୦୦’ରେ ମଧ୍ୟସ୍ଥିମାନଙ୍କୁ ସରକାରଙ୍କ ଅନୁରୋଧ ଓ ନ୍ୟାୟିକ ବ୍ୟବସ୍ଥା ଆଦେଶ ମୁତାବକ ନିର୍ଦ୍ଦିଷ୍ଟ ସମୟ ଅବଧିରେ ଆପତ୍ତିଜନକ ପୋଷ୍ଟ ହଟାଇଦେବା ‘ଡ଼ିଲିଟ’ କରିବା ପ୍ରାବଧାନ ରହିଥିବା ସ୍ଥଳେ ସେଥିରେ ଖିଲାପ କଲେ ‘ମଧ୍ୟସ୍ଥି’ ବଦଳରେ ‘ପ୍ରକାଶକ’ର ଦାୟିତ୍ୱ ନିର୍ବାହ କରିବା ନିମନ୍ତେ ସୂଚ଼ିତ ହୋଇଛି । ପ୍ରଚଳିତ ଆଇନ ଯୁକ୍ତିଯୁକ୍ତ ଥିବା ସ୍ଥଳେ ଜଏଣ୍ଟ ପାର୍ଲାମେଣ୍ଟରୀ କମିଟୀ ପକ୍ଷରୁ ପ୍ରଦତ୍ତ ପରାମର୍ଶ ଅସଂଗତ ବୋଧ ହୋଇଥିଲା ।

 

ଅନଲାଇନ ପରିବେଶ ନିୟନ୍ତ୍ରଣ ନିମନ୍ତେ ଜଏଣ୍ଟ ପାର୍ଲାମେଣ୍ଟରୀ କମିଟୀ ପକ୍ଷରୁ ସୁପାରିଶ କରାଯାଇଥିବା ସ୍ୱତନ୍ତ୍ର ପ୍ରାଧୀକରଣ ‘ଡ଼ାଟା ପ୍ରୋଟେକସନ ଅଥାରିଟି’ ଗଠନ ପ୍ରସ୍ତାବକୁ ବହୁ କ୍ଷେତ୍ରରେ ସ୍ୱାଗତ କରାଯାଇଥିଲା । କାରଣ ଇନଫରମେସନ ଟେକନୋଲଜି କଳାକୌଶଳ କ୍ରମବିକଶିତ ପର୍ଯ୍ୟାୟରେ ରହିଥିବା ଏବଂ ଏହାର ସୁକ୍ଷ୍ମାତିସୁକ୍ଷ୍ମ ଦିଗ ସାଧାରଣ ନାଗରିକ ଆୟତ୍ତ କରିବା ସଂଭବ ନଥିବା ସ୍ଥଳେ ସରକାରୀସ୍ତରରେ ସାଧାରଣ ପ୍ରଶାସନ ଦ୍ୱାରା ଏହାର ବିଧିବଦ୍ଧ ନିୟନ୍ତ୍ରଣ ଅସଂଭବ । ଅଭିଜ୍ଞତାରୁ ଜଣାଯାଏ ଯେ ପୋଲିସ ଓ ପ୍ରଶାସକମାନେ ଅନେକ କ୍ଷେତ୍ରରେ ଅନଲାଇନ ଆଇନର କଦର୍ଥ କରିଥାନ୍ତି ଏବଂ ଅନଲାଇନ ଅପବ୍ୟବହାରକୁ ରୋକିବାରେ ଅସମର୍ଥ ହୋଇଥାନ୍ତି । ଏହି ପରିବେଶରେ ଏକ ସ୍ୱତନ୍ତ୍ର ପ୍ରାଧୀକରଣ ଗଠନ ଦ୍ୱାରା ବିଶେଷଜ୍ଞଙ୍କ ସହାୟତାରେ କେବଳ ଅନଲାଇନ ସମସ୍ୟାବଳୀ ନିୟନ୍ତ୍ରଣ ସକ୍ରିୟ ଓ ସଫଳ ହେବା ଆଶା କରାଯାଇଥାଏ ।

 

ଜଏଣ୍ଟ ପାର୍ଲାମେଣ୍ଟରୀ କମିଟୀର ରିପୋର୍ଟରେ ପ୍ରସ୍ତାବିତ ଆଇନ ପରିଧିରେ ସରକାରୀ କଳକୁ ସଂପୂର୍ଣ୍ଣ ବାଦ ଦିଆଯାଇଥିଲା । ଅର୍ଥାତ, ସରକାର ତଥା ପ୍ରଶାସନିକସ୍ତରରେ ଦେଶର ସମସ୍ତ ନାଗରିକଙ୍କ ତଥ୍ୟ ସଂଗ୍ରହ, ଗଚ୍ଛିତ ଓ ବ୍ୟବହାର କରିପାରିବେ । ଏଥିଲାଗି କୌଣସି ଆଇନଗତ ପ୍ରତିବନ୍ଧକ ରହିବ ନାହିଁ । ଏହିଭଳି ପାତରଅନ୍ତର ନୀତି ବିରୋଧରେ ବହୁ କ୍ଷେତ୍ରରେ ସମାଲୋଚ଼ନା ସୂତ୍ରପାତ ହୋଇଥିଲା । ଏପରିକି କମିଟୀରେ ଅନ୍ତର୍ଭୁକ୍ତ ଲୋକସଭାର ୨୦ଜଣ ଓ ରାଜ୍ୟସଭାର ୧୦ ଜଣ ସଦସ୍ୟଙ୍କ ମଧ୍ୟରୁ ବହୁ ପ୍ରସ୍ତାବକୁ ମୁଖ୍ୟତଃ ବିରୋଧୀ ଦଳର ସାଂସଦ ମନୀଷ ତିୱାରୀ, ମହୁଆ ମୈତ୍ର, ଗୌରବ ଗୋପାଲ, ରିତେଶ ପାଣ୍ଡେ, ବିବେକ ତନଖା, ଜୟରାମ ରମେଶ, ଡେରିକ ଓ’ବ୍ରେନ ଏବଂ ଓଡ଼ିଶାର ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ପ୍ରମୁଖ ଅସମ୍ମତି ପ୍ରକାଶ କରି ଟିପ୍ପଣୀ ‘ନୋଟ’ ଲେଖିଥିଲେ ।

 

ଏହି ଘଟଣାକ୍ରମ ବିଚାରକୁ ନେଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ‘ପରସନାଲ ଡ଼ାଟା ପ୍ରୋଟେକସନ ବିଲ ୨୦୧୯’ ପ୍ରତ୍ୟାହାର ଯୁକ୍ତିଯୁକ୍ତ ମନେହୁଏ । ଏହି ଅବସରରେ ସରକାରଙ୍କ ଦ୍ୱାରା ନୂଆ ଆଇନ ବା ଆଇନାବଳୀ ପ୍ରସ୍ତୁତ କରାଯାଇ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯିବ ତଥା ଏଥି ପୂର୍ବରୁ ସର୍ବସାଧାରଣରେ ବିଚାରବିମର୍ଷ ନିମନ୍ତେ ସୁଯୋଗ ସୃଷ୍ଟି ନିମନ୍ତେ କେନ୍ଦ୍ର ମନ୍ତ୍ରୀଙ୍କ ଆଶ୍ୱସନା ସ୍ୱାଗତଯୋଗ୍ୟ । ଗଣମାଧ୍ୟମ ସମୀକ୍ଷକମାନଙ୍କ ମତରେ ଅନଲାଇନ ପରିବେଶରେ ଅପବ୍ୟବହାରକୁ ଦଣ୍ଡିତ କରାଯିବା ନିମନ୍ତେ ଆଇନ ପ୍ରଣୟନ ଯେତିକି ଉପାଦେୟ ଉପଭୋକ୍ତାଭାବେ ଦେଶର ନାଗରିକଙ୍କୁ ଅନଲାଇନ କାରବାର ସଂପର୍କରେ ସାକ୍ଷର, ଅର୍ଥାତ ପ୍ରଶିକ୍ଷିତ କରାଇବା ତାହାଠାରୁ ଅଧିକ ଜରୁରୀ । କିନ୍ତୁ ଏ ଦିଗରେ ଆଲୋଚ଼ନା ଅଭାବ ଅନୁଭୂତ ହୋଇଥାଏ । ଅପବ୍ୟବହାର ରୋକିବା ନିମନ୍ତେ ଜନଶିକ୍ଷା ଯେ ସର୍ବାପେକ୍ଷା ପ୍ରଭାବଶାଳୀ ଏହା ହୃଦୟଙ୍ଗମ କରିବାର ବେଳ ଆସି ପହଞ୍ଚିଛି ।          


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅଗଷ୍ଟ ୨୦୨୨


ତଥ୍ୟ:



Govt withdraw data protection bill from LS. The Times of India (Bhubaneswar Edition). August 4, 2022

 

Lele, Sourabh. Govt withdraws personal Data Protection Bill 2019. Business Standard (Bhubaneswar Edition). August 4, 2022

ଚ଼ିଠା ଡ଼ିଜିଟାଲ ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ବିଧେୟକ ୨୦୨୨

ଇଲକ୍ଟ୍ରୋନିକ୍ସ ଓ ସୂଚ଼ନା ପ୍ରୋଦ୍ୟୋଗିକୀ ମନ୍ତ୍ରଣାଳୟ ପକ୍ଷରୁ ୧୮ ନଭେମ୍ୱର ୨୦୨୨ରେ ଚିଠା ‘ଡ଼ିଜିଟାଲ ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ବିଧେୟକ ୨୦୨୨’ ସର୍ବସାଧାରଣଙ୍କ ବିଚାରବିମର୍ଷ ଏବଂ ପରାମର୍ଶ ନିମନ୍ତେ ପ୍ରକାଶିତ ହୋଇଥିଲା । ଡ଼ାଟା ସୁରକ୍ଷା ବିଧେୟକ ଆକାରରେ ଏହା ଚ଼ତୁର୍ଥ ଚିଠା । ଏଥିପୂର୍ବରୁ ତିନି ଥର ଚିଠା ବିଧେୟକ ପ୍ରସ୍ତୁତ ହୋଇ ବିଭିନ୍ନ କାରଣରୁ ଖାରଜ ହେବା ଇତିହାସ ରହିଛି । ଭାରତରେ ଜନସାଧାରଣଙ୍କ ନିମନ୍ତେ ୧୯୯୫ରେ ଇଣ୍ଟରନେଟ ସେବା ଉନ୍ମୁକ୍ତ ହେବାପରେ ପ୍ରଥମ ଦୁଇ ଦଶନ୍ଧିରେ ଅନଲାଇନ ପରିବେଶରେ ସଂପୃକ୍ତି ଡ଼ାଟା ସୁରକ୍ଷାକୁ ନେଇ ବିଭିନ୍ନ ସମସ୍ୟା ଉପୁଜିଥିଲା । ପ୍ରଚଳିତ ‘ସୂଚ଼ନା ପ୍ରୋଦ୍ୟୋଗିକୀ ଆଇନ ୨୦୦୦’ ନାଗରିକଙ୍କ ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ଦିଗରେ ପର୍ଯ୍ୟାପ୍ତ ପ୍ରମାଣିତ ହୋଇପାରଲା ନାହିଁ ।

 

ଦେଶରେ ୨୦୧୧ରେ ତତ୍କାଳୀନ ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ୱାଧୀନ ‘ୟୁପିଏ’ ସରକାରଙ୍କ ଦ୍ୱାରା ନାଗରିକଙ୍କୁ ‘ଆଧାର’ ପରିଚୟ ପତ୍ର ବିତରଣ ଆରମ୍ଭ ହୋଇଥିଲା । ବାର ନମ୍ୱର ବିଶିଷ୍ଟ ଆଧାର ପଞ୍ଜିକରଣ ନିମନ୍ତେ ପ୍ରତ୍ୟେକ ନାଗରିକଙ୍କ ନାମ, ଲିଙ୍ଗ, ବୟସ, ଠିକଣା ଇତ୍ୟାଦି ମୌଳିକ ପରିଚ଼ିତି ସାଙ୍ଗକୁ ଅଙ୍ଗୁଳି ଓ ଚ଼କ୍ଷୁ ଡ଼ୋଳାର ଡିଜିଟାଲ ତଥ୍ୟ ଲିପିବଦ୍ଧ ବ୍ୟବସ୍ଥା କରାଗଲା । ସରକାର ଏହିସବୁ ତଥ୍ୟକୁ ନେଇ କିପରି ବ୍ୟବହାର କରିବେ ସେ ସଂପର୍କରେ ପ୍ରଶ୍ନ ଉଠିଲା । ଏହି ଅବସରରେ କର୍ଣ୍ଣାଟକ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କେ.ଏସ. ପୁଟ୍ଟସ୍ୱାମୀ ସୁପ୍ରିମ କୋର୍ଟରେ ୨୦୧୨ରେ ‘ଆଧାର’ର ବୈଧତାକୁ ପ୍ରଶ୍ନ କରି ଏକ ମକଦ୍ଦମା ଦାୟର କରିଥିଲେ । ଦୀର୍ଘ ପାଞ୍ଚ ବର୍ଷ ବିଚାରଣାପରେ ଉଚ୍ଚ ନ୍ୟାୟାଳୟ ନାଗରିକଙ୍କ ଗୋପନୀୟତାକୁ ମୌଳିକ ଅଧିକାର ରୂପେ ଚ଼ିହ୍ନଟ କରିଥିଲେ । ଫଳତଃ, ଡ଼ିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ଆଇନ ପ୍ରଣୟନ ଆବଶ୍ୟକ ପଡ଼ିଥିଲା ।

 

ଘଟଣାକ୍ରମରେ କେନ୍ଦ୍ର ସରକାର ଡ଼ିଜିଟାଲ ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ପରିବେଶ ଅନୁଶୀଳନ କରି ଚ଼ିଠା ବିଧେୟକ ପ୍ରସ୍ତୁତ କରିବା ନିମନ୍ତେ ଅବସରପ୍ରାପ୍ତ ବିଚାରପତି ବି.ଏନ. ଶ୍ରୀକୃଷ୍ଣଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । କମିଟି ଜୁଲାଇ ୨୦୧୮ରେ ପ୍ରଥମ ଚିଠା ବିଲ ପ୍ରସ୍ତୁତ କରିଥିଲେ । ତାହାରି ଆଧାରରେ ମନ୍ତ୍ରଣାଳୟ ପକ୍ଷରୁ ଦ୍ୱିତୀୟ ଚିଠା ବିଧେୟକ ପ୍ରସ୍ତୁତ କରାଯାଇ ସାଂସଦରେ ଉପସ୍ଥାପନ କରାଯାଇଥିଲା ଏବଂ ଡ଼ିସେମ୍ୱର ୨୦୧୯ରେ ଯୁଗ୍ମ ସଂସଦୀୟ ସମିତି ‘ଜଏଣ୍ଟ ପାର୍ଲାମେଣ୍ଟରୀ କମିଟୀ’କୁ ଅନୁଶୀଳନ ନିମନ୍ତେ ପ୍ରଦାନ କରାଯାଇଥିଲା । କମିଟୀ ପକ୍ଷରୁ ଦୁଇ ବର୍ଷ ପରେ ତୃତୀୟ ଚିଠା ବିଧେୟକ ଡ଼ିସେମ୍ୱର ୨୦୨୧ରେ ସଂସଦରେ ପେଶ ହୋଇଥିଲା । ତେବେ ଚିଠା ବିଧେୟକରେ ବ୍ୟାପକ ସଂଶୋଧନ କରାଯାଇଥିବା ହେତୁ ଏହାକୁ ସରକାର ଅଗଷ୍ଟ ୨୦୨୨ରେ ପ୍ରତ୍ୟାହାର କରିନେଇ ନଭେମ୍ୱର ୨୦୨୨ରେ ଚ଼ତୁର୍ଥ ଚିଠା ବିଧେୟକ ସଂସଦରେ ଉପସ୍ଥାପନ ପୂର୍ବରୁ ସର୍ବସାଧାରଣରେ ପ୍ରକାଶ କରି ଆଲୋଚ଼ନା ନିମନ୍ତେ ୧୭ ଡ଼ିସେମ୍ୱର ୨୦୨୨ ଯାଏଁ ସମୟସୀମା ନିର୍ଦ୍ଧାରଣ କରିଥିଲେ ।

 

ଅନଲାଇନ ପରିବେଶରେ ବିଭିନ୍ନ ଉପଯୋଗରେ ଅଂଶଗ୍ରହଣ କରିବା ଅବସରରେ ଇଣ୍ଟରନେଟ ଉପଭୋକ୍ତାଙ୍କୁ ବାରମ୍ୱାର ପରିଚ଼ୟ ପ୍ରଦାନ କରିବାକୁ ପଡ଼ିଥାଏ । ଏହା ସ୍ୱୟଂକ୍ରିୟ ଉପାୟରେ ସଂଗୃହୀତ ହେଉଥିବା ହେତୁ ଡ଼େସ୍କଟପ ବା ଲେପଟପ କମ୍ପ୍ୟୁଟରରେ ଉଦ୍ଧିଷ୍ଟ ଆଇକନରେ ଗୋଟିଏ କ୍ଳିକ କିମ୍ୱା ମୋବାଇଲ ଟାବଲେଟ ଭଳି ଡ଼ିଜିଟାଲ ସ୍କ୍ରିନରେ ଥରେ ଟିପିଦେଲେ ପରିଚ଼ୟ ବିନିମୟ ପ୍ରକ୍ରିୟା ସମାପନ ହୋଇଯାଏ । ବିଭିନ୍ନ ସଂସ୍ଥା ପକ୍ଷରୁ ସଂଗ୍ରହ କରାଯାଉଥିବା ଏହି ବ୍ୟକ୍ତିଗତ ତଥ୍ୟ ବା ଡାଟା କିପରି ବ୍ୟବହୃତ ହେବ ତାହା ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନ ।

 

ପ୍ରଚଳିତ ବ୍ୟବସ୍ଥାରେ ଉପଭୋକ୍ତା ଥରେ କୌଣସି ସଂସ୍ଥାକୁ ପରିଚ଼ୟ ପ୍ରଦାନ କଲାପରେ ତାହା ନିୟନ୍ତ୍ରଣ କରିବା ନିମନ୍ତେ କୌଣସି ସାଧନ ଖୋଜି ପାଏ ନାହିଁ । ତେଣୁ ତାହାର ଦୁରୁପୋଯୋଗ ସମସ୍ୟା ସୃଷ୍ଟି କରେ । ବିକାଶଶୀଳ ସୂଚ଼ନା ପ୍ରୋଦ୍ୟୋଗିକୀ ବ୍ୟବସ୍ଥାରେ ଦେଶରେ ପ୍ରଚଳିତ ମୌଳିକ ଆଇନାବଳୀ ସୀମିତ ମାତ୍ରାରେ ଉପଯୋଗ ସଂଭବ । ଏଥି ନିମନ୍ତେ ବୈଷୟିକ ଦକ୍ଷତା ଆବଶ୍ୟକ ପଡ଼େ ଏବଂ ଦୀର୍ଘ ସମୟ ଧରି ମାମଲା ସମାଧାନ ସଂଭବ ହୋଇପାରେ ନାହିଁ ।

 

‘ଡ଼ିଜିଟାଲ ବ୍ୟକ୍ତିଗତ ଡ଼ାଟା’ କହିଲେ ଉପଭୋକ୍ତାଙ୍କ ପକ୍ଷରୁ ଅନଲାଇନରେ ଦାଖଲ ହେଉଥିବା ବ୍ୟକ୍ତିଗତ ତଥ୍ୟକୁ ବୁଝାଏ । ଉପଭୋକ୍ତା ଅର୍ଥ ଜଣେ ନାଗରିକ, ଏକ ହିନ୍ଦୁ ଅବିଭକ୍ତ ପରିବାର, ଏକାଧିକ ନାଗରିକଙ୍କ ସମ୍ମେଳନରେ ଗଠିତ ଅନୁଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନ ଓ ରାଜ୍ୟ ଇତ୍ୟାଦିକୁ ବୁଝାଏ । ଚିଠା ବିଧେୟକ ଅନୁଯାୟୀ ବ୍ୟକ୍ତିଗତ ଡ଼ାଟା ସଂଗ୍ରହ କାଳରେ ଉପଭୋକ୍ତାଙ୍କ ସମ୍ମତ୍ତି ଗ୍ରହଣ ବାଧ୍ୟତାମୂଳକ । ଯେକୌଣସି ସମୟରେ ଉପଭୋକ୍ତାଙ୍କ ଆବେଦନ ପ୍ରକାରେ ସଂଗୃହୀତ ବ୍ୟକ୍ତିଗତ ତଥ୍ୟାବଳୀ ସଂପୃକ୍ତ ଡ଼ିଜିଟାଲ ମଞ୍ଚରୁ ପ୍ରତ୍ୟାହାର କରିବା ପ୍ରାବଧାନ ରହିବ । ନ୍ୟାୟିକ ପ୍ରକ୍ରିୟାରେ ତଥ୍ୟ ସଂଗ୍ରହକର୍ତ୍ତା ଡିଜିଟାଲ ମଞ୍ଚ ଉପଭୋକ୍ତାଙ୍କ ସମ୍ମତ୍ତି ଗ୍ରହଣ କରିଥିବା ପ୍ରମାଣ ଉପସ୍ଥାପନ ନିମନ୍ତେ ଦାୟୀ ରହିବେ ।

 

ଅନଲାଇନ ପରିବେଶ, ମୁଖ୍ୟତଃ ସାମାଜିକ ଗଣମାଧ୍ୟମରେ ବିଶ୍ୱବ୍ୟାପୀ ଆନ୍ତର୍ଜାତିକସ୍ତରର ବ୍ୟାବସାୟିକ ପ୍ରତିଷ୍ଠାନମାନଙ୍କ ଦ୍ୱାରା ପରିଚାଳିତ ମଞ୍ଚ ଲୋକପ୍ରିୟତା ହାସଲ କରିଥାଏ ଏବଂ ଭାରତରେ ମଧ୍ୟ ମେଟା, ଗୁଗୁଲ, ଟୁଇଟର ଭଳି ମଞ୍ଚଗୁଡ଼ିକର କାଟତି ରହିଛି । ପ୍ରତ୍ୟେକ ଇଣ୍ଟରନେଟ ଉପଭୋକ୍ତା ସାମାଜିକ ଗଣମାଧ୍ୟମ କିମ୍ୱା ଇ-କମର୍ସ ମଞ୍ଚଗୁଡ଼ିକ ସହ ଯୋଡ଼ି ହୋଇ ନିଜ ନିଜ ବ୍ୟକ୍ତିଗତ ଡ଼ାଟା ଦାଖଲ କରିଥାନ୍ତି । ଭାରତୀୟ ଉପଭୋକ୍ତାଙ୍କ ଡ଼ିଜିଟାଲ ଡ଼ାଟାକୁ ଭାରତର ପରିସୀମାରେ ସର୍ଭର ସ୍ଥାପନ କରି ଗଚ୍ଛିତ ରଖିବା ନିମନ୍ତେ ପୂର୍ବ ପ୍ରସ୍ତୁତ ତିନିଗୋଟି ଚିଠା ଡ଼ିଜିଟାଲ ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ବିଧେୟକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । କିନ୍ତୁ ଚ଼ତୁର୍ଥ ଚିଠାରେ କେନ୍ଦ୍ର ସରକାରଙ୍କ ସମ୍ମତ୍ତିକ୍ରମେ ନିର୍ଦ୍ଦିଷ୍ଟ କେତେକ ରାଷ୍ଟ୍ରକୁ ସେସବୁ ତଥ୍ୟାବଳୀ ସ୍ଥାନାନ୍ତର ନିମନ୍ତେ ସୁବିଧା ପ୍ରଦାନ କରାଯିବା କଥା କୁହାଯାଉଛି ।

 

ଡ଼ିଜିଟାଲ ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ଆଇନ ପ୍ରଣୀତ ହେବାପରେ ଏହାର କାର୍ଯ୍ୟକାରିତା ତଦାରଖ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ବଳରେ ‘ଡ଼ାଟା ପ୍ରୋଟେକସନ ବୋର୍ଡ ଅଫ ଇଣ୍ଡିଆ’ ନାମରେ ଏକ ନିୟମାକ ଗଠନ ପ୍ରସ୍ତାବ ବିଧେୟକରେ ରହିଛି । ଯେକୌଣସି ଇଣ୍ଟରନେଟ ଉପଭୋକ୍ତା, ସରକାର କିମ୍ୱା ନ୍ୟାୟାଳୟ ପକ୍ଷରୁ ଆଗତ ଡ଼ିଜିଟାଲ ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ପରିପନ୍ଥୀ ଅଭିଯୋଗଗୁଡ଼ିକ ବିଚାର କରି ଆଇନ ଉଲଂଘନ ପାଇଁ ବୋର୍ଡ଼ ଆର୍ଥିକ ଜରିମାନା ଆଦେଶ କରିପାରିବେ । ଆବଶ୍ୟକ ସ୍ଥଳେ ଦାୟିତ୍ୱ ନିର୍ବାହ ନିମନ୍ତେ ରାଜ୍ୟ ପୋଲିସ ବଳର ସାହାଯ୍ୟ ଗ୍ରହଣ କରିପାରିବେ ଏବଂ ‘କୋଡ଼ ଅଫ ସିଭିଲ ପ୍ରୋସିଡ୍ୟୁର ୧୯୦୮’ ଅନୁଯାୟୀ ଏକ ‘ସିଭିଲ କୋର୍ଟ’ର ସମସ୍ତ ଅଧିକାର ଉପଭୋଗ କରିବେ । ବୋର୍ଡର ଆଦେଶ ବିରୋଧରେ ଦୁଇ ମାସ ମଧ୍ୟରେ କେବଳ ହାଇକୋର୍ଟରେ ଅପିଲ କରାଯାଇପାରବ । ଚିଠା ବିଧେୟକରେ ସର୍ବୋଚ୍ଚ ଜରିମାନା ପରିମାଣ ୨୫୦ କୋଟି ଟଙ୍କା ଯାଏଁ ଧାର୍ଯ୍ୟ ହୋଇଛି ।

 

‘ଚ଼ିଠା ଡିଜିଟାଲ ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ବିଧେୟକ ୨୦୨୨’ ପ୍ରକାଶିତ ହେବାପରେ ସର୍ବସାଧାରଣରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଇଣ୍ଟରନେଟ ବ୍ୟାବସାୟିକ ସଂଗଠନଗୁଡ଼ିକ ପକ୍ଷରୁ ଚ଼ିଠା ବିଧେୟକକୁ ସରଳ ଓ ଯୁକ୍ତିଯୁକ୍ତ ଅଭିହିତ କରାଯାଇଥିବା ସ୍ଥଳେ ଇଣ୍ଟରନେଟ ସ୍ୱାଧୀନତା ସଚ଼େତନ ମଞ୍ଚଗୁଡ଼ିକ ପକ୍ଷରୁ କେତେକ ଦିଗକୁ ସମାଲୋଚନା କରାଯାଇଥିଲା । ପ୍ରଥମତଃ, ଡ଼ିଜିଟାଲ ବ୍ୟକ୍ତିଗତ ଡ଼ାଟା ନିୟନ୍ତ୍ରଣ କ୍ଷେତ୍ରରେ କେନ୍ଦ୍ର ସରକାର ଅଖଣ୍ଡ କ୍ଷମତା କେନ୍ଦ୍ରୀଭୂତ କରୁଥିବା ଅଭିଯୋଗ ଆସିଥିଲା । ଏହି ଆଇନରୁ ସରକାରୀ କଳ ମୁକ୍ତଥିବା ଏବଂ ଯେକୌଣସି ବିଷୟରେ ଡ଼ାଟା ସଂଗ୍ରହ ଓ ଅସୀମିତ କାଳ ସଂରକ୍ଷଣ ଅଧିକାର ନାଗରିକଙ୍କ ସ୍ୱାର୍ଥର ପରିପନ୍ଥୀ ବୋଲି କୁହାଯାଇଥିଲା । ଦ୍ୱିତୀୟତଃ, ୨୫୦ କୋଟି ଟଙ୍କା ଯାଏଁ ଜରିମାନା ପରିମାଣ ଅବାସ୍ତବ ବିଚାର କରାଯାଇଥିଲା । ତୃତୀୟତଃ, ଭୂଲ ପରିଚ଼ୟ ପ୍ରଦାନ ନିମନ୍ତେ ସାଧାରଣ ଉପଭୋକ୍ତାଙ୍କୁ ଦଶ ହଜାର ଟଙ୍କା ଯାଏଁ ଜରିମାନା ଅସଂଗତ ସୂଚ଼ିତ ହୋଇଥିଲା । ଅନଲାଇନ ପରିବେଶ ସଂପର୍କରେ ଆମ ଦେଶରେ ବହୁ ସଂଖ୍ୟକ ଜନସାଧାରଣ ସାକ୍ଷର ନଥିବା ହେତୁ ଜରିମାନା ଦଣ୍ଡ ଅପ୍ରାସଙ୍ଗିକ ବୋଧ ହୁଏ ।

 

ଚ଼ିଠା ଡ଼ିଜିଟାଲ ବ୍ୟକ୍ତିଗତ ଡ଼ାଟା ସୁରକ୍ଷା କେବଳ ଡ଼ିଜିଟାଲ ସୂତ୍ରରେ ସଂଗୃହୀତ ସୂଚ଼ନା ନିମନ୍ତେ ଅଭିପ୍ରେତ ଥିବା ହେତୁ ଅଣ-ଡିଜିଟାଲ ବ୍ୟକ୍ତିଗତ ତଥ୍ୟର ଅସଦ ବ୍ୟବହାର ଜାରି ରହିବା ବହୁ ସମାଲୋଚକ ଆଶଙ୍କା ବ୍ୟକ୍ତ କରିଥିଲେ । ଚ଼ିଠା ବିଧେୟକରେ ଅସୁସ୍ଥ ଅବସ୍ଥାରେ ତଥା ମୃତ୍ୟୁପରେ ବ୍ୟକ୍ତିଗତ ଡ଼ାଟା ପରିଚାଳନା କରିବା ନିମନ୍ତେ ଉତ୍ତରାଧିକାରୀ ମନୋନୟନ ଏବଂ କୌଣସି ସଂସ୍ଥାଠାରେ ଦାଖଲ କରାଯାଇଥିବା ତଥ୍ୟର ସାରାଂଶ ଦାବୀ କରିବା ପ୍ରାବଧାନ ରହିଛି । ଆମ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ତର୍ଜମାରେ ସମ୍ୱିଧାନର ଧାରା ୨୧ ଅନୁଯାୟୀ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ଆଧାରରେ ଗୋପନୀୟତା ମୌଳିକ ଅଧିକାର ସାବ୍ୟସ୍ତ ହେବା ସହ ଗୋପନୀୟ ତଥ୍ୟ ପ୍ରତ୍ୟାହାର ‘ରାଇଟ-ଟୁ-ଫରଗଟନ’ ଏବଂ ଅସମ୍ମତ୍ତି ‘ରାଇଟ-ଟୁ-ବି-ଲେଫଟ-ଏଲୋନ’ ମଧ୍ୟ ଉପଲବ୍ଧ ।           


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୫ ନଭେମ୍ୱର ୨୦୨୨


ତଥ୍ୟ:



Mathi, Sarvesh. A complete guide to India’s Digital Personal Data Protection Bill 2022. Medianama. Nov 18, 2022

 

https://www.medianama.com/2022/11/223-summary-digital-personal-data-protection-bill-2022/

 

Fundamental Right to Privacy. Justice K.S. Puttaswamy V Union of India.

 

 https://www.scobserver.in/cases/puttaswamy-v-union-of-india-fundamental-right-to-privacy-case-background/

 

Protecting data privacy : The new Bill, though better, give govt too much discretion. (Editorial) Business Standard (Bhubaneswar Edition). November 21, 2022.

 

Suryamurthy, R. Data privacy bill exempts State. The Telegraph (Kolkota Edition). November 19, 2022. 

ସାଂବାଦିକଙ୍କ ଆଚ଼ରଣ

ସାମ୍ୱାଦିକତାର ଗୁଣାତ୍ମକ ବିକାଶ ସାଂବାଦିକଙ୍କ ଆଚରଣ ଉପରେ ଅନେକାଂଶରେ ନିର୍ଭରଶୀଳ । ଆଚ଼ରଣର ଅର୍ଥ ବ୍ୟବହାର, ଚାଲିଚଳନ ଓ ପାଳନ । ସାମ୍ୱାଦିକମାନଙ୍କ ଆଚରଣ ବ୍ୟକ୍ତିକେନ୍ଦ୍ରୀକ । ସମ୍ୱାଦ ସଂସ୍ଥା ଓ ସାମ୍ୱାଦିକତା ବୃତ୍ତିଭିତ୍ତିକ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ଆଚ଼ରଣ ସଂହିତାମାନ ପ୍ରଣୟନ କରାଯାଇଥାଏ । ଅଭିଜ୍ଞତାରୁ ଜଣାଯାଏ ଯେ ପ୍ରତ୍ୟେକ ସାମ୍ୱାଦିକ ସମ୍ୱାଦରଚନା ନିମନ୍ତେ ତଥ୍ୟ ସଂଗ୍ରହ, ସୃଜନ ଓ ପରିବେଷଣ ସେମାନଙ୍କ ଆଚ଼ରଣ ଦ୍ୱାରା ପ୍ରଭାବିତ ।


 

ଭାରତୀୟ ସମ୍ୱିଧାନରେ ସାମ୍ୱାଦିକତା ବୃତ୍ତି ସମ୍ପାଦନ ଲାଗି ସାମ୍ୱାଦିକମାନଙ୍କୁ କୌଣସି ସ୍ୱତନ୍ତ୍ର ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇନାହିଁ । ଦେଶର ପ୍ରତ୍ୟେକ ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି । ସାମ୍ୱାଦିକମାନେ ସେହି ସ୍ୱାଧୀନତା ଆଧାରରେ ସମ୍ୱାଦ ସଂଗ୍ରହ ଓ ପ୍ରଯୋଜନା କରି ପରିବେଷଣ କରିଥାନ୍ତି । ଅଭିବ୍ୟକ୍ତିର ସ୍ୱାଧୀନତାଅଶ୍ଲୀଳତା, ମାନହାନୀ, ହିଂସାକାଣ୍ଡ ଉସୁକାଇବା, ଦେଶଦ୍ରୋହ ଓ ମିତ୍ରରାଷ୍ଟ୍ରଙ୍କ ସହ ବନ୍ଧୁତ୍ୱ ଇତ୍ୟାଦି କ୍ଷେତ୍ରରେ ସଂକୁଚିତ ହେଉଥିବା ସ୍ଥଳେ ସୃଜନ ସତ୍ତ୍ୱ ସଂରକ୍ଷଣ, ସରକାରୀ ତଥ୍ୟ ଗୋପନୀୟତା ରକ୍ଷା, ଅଦାଲତ ଅବମାନନା ଭଳି ଆଇନାବଳୀ ତଥା ସମ୍ୱାଦ ପ୍ରସାରଣରେ ବଳତ୍କାର ପୀଡ଼ିତାଙ୍କ ପରିଚୟ ବାରଣ ଇତ୍ୟାଦି ନିର୍ଦ୍ଦେଶାବଳୀ ପ୍ରତ୍ୟେକ ସାଧାରଣ ନାଗରିକ ଭଳି ସାମ୍ୱାଦିକମାନଙ୍କୁ ମାନିବାକୁ ପଡିଥାଏ ।


 

ଦେଶରେ ପ୍ରଣୀତ ଆଇନାବଳୀ ସମସ୍ତ ନାଗରିକଙ୍କ ନିମନ୍ତେ ପ୍ରଯୁଜ୍ୟ ଏବଂ ସାମ୍ୱାଦିକମାନଙ୍କ ବୃତ୍ତିଗତ ଜୀବନ ମଧ୍ୟ ସେହି ଧାରାରେ ପରିଚାଳିତ । ସାଧାରଣ ଆଇନଗୁଡ଼ିକରୁ ସମ୍ୱାଦିକତା ବୃତ୍ତି ନିମନ୍ତେ ପ୍ରଯୁଜ୍ୟ ଆଇନାବଳୀକୁ ଗଣମାଧ୍ୟମ ଆଇନ ‘ମିଡ଼ିଆ ଲ’ କୁହାଯାଇଥାଏ । ଅବଶ୍ୟ ଯୁକ୍ତରାଷ୍ଟ୍ର ଆମେରିକା ଭଳି କେତେକ ବୈଦେଶିକ ରାଷ୍ଟ୍ରରେ ସାମ୍ୱାଦିକତା ନିମନ୍ତେ ସ୍ୱତନ୍ତ୍ର ଆଇନମାନ ପ୍ରଣୀତ ହୋଇଥାଏ ।


 

ସମ୍ୱାଦ ରଚନା ନିମନ୍ତେ ତଥ୍ୟ ସଂଗ୍ରହ ଲାଗି ଲୋକସଂପର୍କ, ପ୍ରସ୍ତୁତି ନିମନ୍ତେ ସୃଜନ ଓ ପରିବେଷଣଗତ ଦକ୍ଷତା ନିମନ୍ତେ ବୈଷୟିକ ଜ୍ଞାନ ଆବଶ୍ୟକ ପଡ଼େ । ସମ୍ୱାଦର ବିଷୟ ନିର୍ବାଚନପରେ ତଥ୍ୟ ସଂଗ୍ରହ ବିଭିନ୍ନ ସୂତ୍ର ଉପରେ ନିର୍ଭରଶୀଳ । ଲୋକପ୍ରିୟ ଟେଲିଭିଜନ ଚ୍ୟାନେଲ ‘ଷ୍ଟାର ଏଣ୍ଡ ଡିସନି ଇଣ୍ଡିଆ’ର ଅଧ୍ୟକ୍ଷ ଉଦୟ ଶଙ୍କର ୨୦୧୯ ଜୁଲାଇରେ ଅନୁଷ୍ଠିତ ‘ଟାଇମସ ଅଫ ଇଣ୍ଡିଆ’ ଗୋଷ୍ଠୀର ‘ବେନେଟ ୟୁନିଭରସିଟି’ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ କହିଥିଲେ ଯେ ଜଣେ ସଫଳ ସାମ୍ୱାଦିକ ହେବା ନିମନ୍ତେ ତିନିଗୋଟି ଗୁଣର ଅଧିକାରୀ ହେବାକୁ ପଡିଥାଏ ।


 

ପ୍ରଥମତଃ ସାମ୍ୱାଦିକମାନେ ସମାଜକୁ ଗଭୀର ନିରୀକ୍ଷଣ କରିବା ଶିଖିବା ଦରକାର । ତରବରରେ ଉପରଠଉରିଆ ଭାବେ କୌଣସି ଘଟଣା ସଂପର୍କରେ ନିଷ୍ପତି ନ ନେଇ ସଂପୂର୍ଣ୍ଣ ପରିବେଶ ଅନୁଧ୍ୟାନ ତଥା ବିଭିନ୍ନ ଦିଗରୁ ତର୍ଜମାରେ ଘଟଣାର ପ୍ରକୃତ ତଥ୍ୟମାନ ଉନ୍ମୋଚିତହୁଏ । ଦ୍ୱିତୀୟତଃ ସାମ୍ୱାଦିକମାନଙ୍କ କାର୍ଯ୍ୟ ପରିସରରେ ପ୍ରଶ୍ନ କରିବା ଅଭ୍ୟାସ ବିଭିନ୍ନ ସୂତ୍ରରୁ ସମ୍ୱାଦ ଆହରଣରେ ସହାୟକ ହୋଇଥାଏ । ତୃତୀୟତଃ ସାମ୍ୱାଦିକ ବୃତ୍ତିରେ ନମ୍ରତା ଆଚରଣ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ଯିଏ ଆଜି କ୍ଷମତାଶାଳୀ କାଲି କ୍ଷମତାଶୂନ୍ୟ ହୋଇପାରେ । ସାମ୍ୱାଦିକଟିଏ ଏକ ସମୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଆସୀନ ଥିବା ସ୍ଥଳେ ଅନ୍ୟ ସମୟରେ ପଦତ୍ୟାଗ କରିବାକୁ ପଡିପାରେ । ତେବେ ଜୀବନବ୍ୟାପୀ ସାମ୍ୱାଦିକତା ବୃତ୍ତିରେ ସଂପୃକ୍ତ ରହିବା ନିମନ୍ତେ ଆଚରଣରେ ନମ୍ରତା ହିଁ ସୁଖପ୍ରଦ ବିବେଚିତ ହୁଏ ।


 

ସମକାଳରେ ସାମ୍ୱାଦିକତା ଅଧିକରୁ ଅଧିକ ପ୍ରେସ ବିଜ୍ଞପ୍ତି‘ପ୍ରେସ ରିଲିଜ’ଭିତ୍ତିକ ହୋଇପଡୁଥିବା ଉଦବେଗର ବିଷୟ । ସାମ୍ୱାଦିକମାନେ ନିରପେକ୍ଷଭାବେ ସମ୍ୱାଦ ପ୍ରଯୋଜନା ବ୍ୟତିରେକେ ରାଜନେତା, ପ୍ରଶାସନ ଓ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ପରିବେଷିତ ପ୍ରେସ ରିଲିଜଗୁଡ଼ିକୁ ଚଳନ୍ତି ସମ୍ୱାଦ ‘କରେଣ୍ଟ ନିଉଜ’ରୂପେ ପ୍ରକାଶନଗୁଡ଼ିକରେ ସ୍ଥାନିତ କରୁଛନ୍ତି । ବିତ୍ତଶାଳୀଓ କ୍ଷମତାଶାଳୀମାନେ ନିଜ ପ୍ରତିପତ୍ତି ବୃଦ୍ଧି କରିବା ତଥା କାର୍ଯ୍ୟ ପରିସରରେ ଅନୁକୂଳ ବାତାବରଣ ସୃଷ୍ଟି ନିମନ୍ତେ ଗଣମାଧ୍ୟମରେ ପ୍ରଚାରଧର୍ମୀ ସମ୍ୱାଦ ପ୍ରସାରଣ ନିମନ୍ତେ ଯତ୍ନବାନ ହେଉଛନ୍ତି ।


 

ଦୁଃଖର ବିଷୟ ବିକଶିତ ଓ ବିକାଶଶୀଳଉଭୟ ବର୍ଗର ରାଷ୍ଟ୍ରଗୁଡିକରେ ଏତାଦୃଶ ଧରାର ଉପଯୋଗ ବଢ଼ିଚାଲିବାରେ ଲାଗିଛି । ଯୁକ୍ତରାଷ୍ଟ୍ର ଆମେରିକାଭଳି ବିକଶିତ ରାଷ୍ଟ୍ରଗୁଡିକରେ ଜଣେ ସାମ୍ବାଦିକଙ୍କସହ ଛଅଜଣ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟରତ ଥିବା ହିସାବ କରାଯାଉଛି । ଭାରତଭଳି ବିକାଶଶୀଳ ରାଷ୍ଟ୍ରରେ ଆଞ୍ଚଳିକସ୍ତରରେ ସଂଖ୍ୟାଧିକ ସାମ୍ୱାଦିକ ରାଜନୀତିକ ନେତୃବର୍ଗ, ପ୍ରଶାସନିକ ଅଧିକାରୀ ଓ ବୃହତବ୍ୟାବସାୟିକ  ଗୋଷ୍ଟୀର  ବୋଲକରା ସାଜୁଥିବା ଦେଖିବାକୁ ମିଳେ ।


 

ଗଣମାଧ୍ୟମର ବ୍ୟାପ୍ତି ତଥା ବିଭିନ୍ନ ମଞ୍ଚର ପ୍ରତିଯୋଗିତାପୂର୍ଣ୍ଣ ପରିବେଶରେ ଦୈନନ୍ଦିନଭିତ୍ତିରେ ସମ୍ୱାଦ ରଚନା କଷ୍ଟସାଧ୍ୟ । ପ୍ରକାଶନ ସଂସ୍ଥାଗୁଡ଼ିକରେ ଆବଶ୍ୟକତାଠାରୁ କମସଂଖ୍ୟକ ସାମ୍ୱାଦିକ ନିୟୋଜିତ ରହୁଥିବା ତଥା ପ୍ରତ୍ୟେକ ସାମ୍ୱାଦିକଙ୍କ ପକ୍ଷେ ବାସ୍ତବତାରୁ ଉର୍ଦ୍ଧ୍ୱରେ ଅଧିକ ସଂଖ୍ୟକ ସମ୍ୱାଦ ପ୍ରଯୋଜନା ବାଧ୍ୟବାଧକତାରେ ପରିଣତ ହୋଇଥାଏ । ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ, ସମ୍ୱାଦ ରଚନା ଓ ସଂଶୋଧନ ସମ୍ଭବପର ନହୋଇପାରୁଥିବା ହେତୁ ସାମ୍ୱାଦିକମାନେ ପ୍ରେସ ରିଲିଜ, ଅନ୍ୟତ୍ର ପ୍ରକାଶିତ ସମ୍ୱାଦ ବ୍ୟବହାରକରି ମୌଳିକ ସମ୍ୱାଦ ସନ୍ଧାନରୁ କ୍ଷାନ୍ତରହିଥାନ୍ତି । ତୃଣମୂଳସ୍ତରର ସାମ୍ୱାଦିକମାନେ ଅଧ୍ୟୟନ ଓ ତାଲିମ ଗ୍ରହଣର ସୁବିଧାସୁଯୋଗ ପାଉନଥିବା ହେତୁ ସାମ୍ୱାଦିକତାରେ ନୂତନଶୈଳୀ ସଂପର୍କରେ ଜ୍ଞାନ ଆହରଣ କରିପାରନ୍ତି ନାହିଁ ।


 

ଆଦର୍ଶ ପରିବେଶରେ ସାମ୍ୱାଦିକମାନେ ସମ୍ୱାଦର ସୂତ୍ର ଖୋଜିବା ନିମନ୍ତେ ପ୍ରତ୍ୟେହ ଜଣେ ନୂତନ ବ୍ୟକ୍ତିଙ୍କ ସହ ପରିଚିତ ହେବା ନିର୍ଘଣ୍ଟ  ପ୍ରସ୍ତୁତ କରିଥାନ୍ତି । ସାମ୍ୱାଦିକମାନେ ଅଧିକରୁ ଅଧିକ ସୂତ୍ରରୁ ତଥ୍ୟ ପାଇପାରିଲେ ସେଥି ମଧ୍ୟରୁ ପ୍ରକାଶନଯୋଗ୍ୟ ସମ୍ୱାଦ ନିର୍ବାଚନ କରିବା ସମ୍ଭବପର । ସୂତ୍ରସଂଖ୍ୟା ସୀମିତ ରହିଲେ ନିମ୍ନମାନର ସମ୍ୱାଦ ପ୍ରଯୋଜନା ଅବଶ୍ୟମ୍ଭାବୀ । ଏଣୁ ସାମ୍ୱାଦିକମାନେ ନିୟମିତଭିତ୍ତିରେ ଅଧିକ ବ୍ୟକ୍ତିଙ୍କ ସହ ପରିଚିତ ହେବା ତଥା ସେମାନଙ୍କ ସହ ଯୋଗାଯୋଗ ରକ୍ଷା କରିବା ନିମନ୍ତେ ଉଦ୍ୟମ କରିବା ବିଧେୟ ।  ସମ୍ୱାଦରେ ମୌଳିକତା ସାମ୍ୱାଦିକତାର ଗୁଣାତ୍ମକ ବିକାଶରେ ସହାୟକ । ମୌଳିକତା ପରିସ୍ପୁଟନ ପାଇଁ ପ୍ରେସ ରିଲିଜ ସାମ୍ୱାଦିକତାରୁ ଉର୍ଦ୍ଧ୍ୱକୁ ଯିବାକୁ ପଡିଥାଏ । ସାମ୍ୱାଦଶିଳ୍ପର ସଙ୍କୁଚିତ ଆୟ ହେତୁ ସମ୍ୱାଦ ସଂସ୍ଥାର ମାଲିକମାନେ ସାମ୍ୱାଦିକମାନଙ୍କୁ ଆବଶ୍ୟକୀୟ ପରିମାଣରେ ପାରିଶ୍ରମିକ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇବାରେ ଅକ୍ଷମ ଥିବା ହେତୁ ସାମ୍ୱାଦିକତା ନୀତି ସ୍ପଳନର ଏକ ମୁଖ୍ୟ କାରଣ ।


 

ମାର୍କିନ ସାମ୍ୱାଦିକତାର ମୌଳିକ ସମ୍ୱାଦ ପ୍ରଯୋଜନା ବ୍ୟତିରେକେପ୍ରେସ ରିଲିଜ ଆଧାରିତ ସମ୍ୱାଦ ପ୍ରକାଶନକୁ ପ୍ରେତ ସାମ୍ୱାଦିକତା‘ଘୋଷ୍ଟ ଜର୍ଣ୍ଣାଲିଜମ’ନାମିତ କରାଯାଇଥାଏ । ସେଠାରେ ସାମ୍ୱାଦିକତା ସମୀକ୍ଷା ‘ଜର୍ଣ୍ଣାଲିଜମ ୱାଚ଼ ଡଗ’ ଶ୍ରେଣୀର ପ୍ରତିଷ୍ଠାନଗୁଡ଼ିକ ସମୟାନ୍ତେ ଏଭଳି ‘ଘୋଷ୍ଟ ଜର୍ଣ୍ଣାଲିଜମ’ ପ୍ରଭାବିତ ସାମ୍ୱାଦିକତାର ମାନଚିତ୍ର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରିଥାନ୍ତି । ଆମ ଦେଶ କିମ୍ୱା ରାଜ୍ୟରେ ସାମ୍ୱାଦିକତା ଗବେଷଣାଭିତ୍ତିକ ସଂସ୍ଥା ଅଭାବ ହେତୁ ସାମ୍ୱାଦିକତାର ଗୁଣବତ୍ତା ଅଧ୍ୟୟନ ସମ୍ଭବପର ହୋଇପାରେ ନାହିଁ ।


 

ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ପ୍ରଶାସନର ତୃଟିବିଚୁତି ଖୋଜି ବାହାର କରି ପ୍ରକାଶ କରିବା ସାମ୍ୱାଦିକତାର ଏକ ପ୍ରମୁଖ ଦାୟିତ୍ୱ ହୋଇଥିବାସ୍ଥଳେ ପ୍ରଶାସକମାନେ ସାମ୍ୱାଦିକମାନଙ୍କୁ ପ୍ରଭାବିତ କରି ପ୍ରଶାସନିକ ତୃଟିଗୁଡ଼ିକ ସର୍ବସାଧାରଣରେ ଚର୍ଚ୍ଚା ବାରଣ କରୁଥିବା ଧାରା କ୍ରମଶଃ ବ୍ୟାପୁଥିବା ପରିଲକ୍ଷିତ ହୋଇଥାଏ । ମେସ୍କିକୋ, ବ୍ରାଜିଲ, ଫିଲିପାଇନସ ଇତ୍ୟାଦି ରାଷ୍ଟ୍ର ଭାରତଭଳି ବିକାଶଶୀଳ ଅର୍ଥନୀତି ପର୍ଯ୍ୟାୟଭୁକ୍ତ । ମେସ୍କିକୋରେ ନିଶାତସ୍କର ଓ ଅସାଧୁ ପ୍ରଶାସକମାନଙ୍କ ପ୍ରଭାବ ବ୍ୟାପକ । ଏମାନଙ୍କ କଳାକାରନାମାଯେଉଁ ସାମ୍ୱାଦିକମାନେ ପ୍ରକାଶ କରନ୍ତି ସେମାନଙ୍କୁ ଧମକଚମକ ଦେବା, ପେଶାଦାରୀ ଅପରାଧୀଙ୍କ ଦ୍ୱାରା ହିଂସାକାଣ୍ଡ ଉଦ୍ରେକ ତଥା ସ୍ଥଳବିଶେଷରେ ହତ୍ୟାର ଶିକାର ଉଦାହରଣ ଦେଖିବାକୁ ମିଳିଥାଏ । ଏକ ହିସାବ ଅନୁଯାୟୀ ମେକ୍ସିକୋରେ ନିଶାତସ୍କରଙ୍କ ତୁଳନାରେ ପ୍ରଶାସକମାନଙ୍କ ଦ୍ୱାରା ଅଧିକ ସଂଖ୍ୟାରେ ସାମ୍ୱାଦିକ ନିର୍ଯ୍ୟାତିତ ।


 

ସାମ୍ୱାଦିକଙ୍କ ଆଚରଣ ସଂସ୍କାର ନିମନ୍ତେ ଏସଂପର୍କରେ ସମ୍ୱାଦଶିଳ୍ପରେ ସଚେତନତା ପ୍ରସାର ଅପରିହାର୍ଯ୍ୟ । ହିସାବ ଅନୁଯାୟୀ ଓଡ଼ିଶାର ୬୫ ପ୍ରତିଶତରୁ ଉର୍ଦ୍ଧ୍ୱ ସାମ୍ୱାଦିକ ୩୫ ବର୍ଷରୁ କମ ବୟସ୍କ ।ସମ୍ୱାଦଶିଳ୍ପର ପ୍ରସାର ବଢିଚାଲିଥିବା ଅବସରରେ ସେମାନଙ୍କ ପଦୋନ୍ନତିଓ ରୋଜଗାର ଦକ୍ଷତା ବୃଦ୍ଧି ଉପରେ ନିର୍ଭରଶୀଳ । ଦକ୍ଷତାବୃଦ୍ଧି ନିମନ୍ତେ ବ୍ୟକ୍ତିଗତସ୍ତରରେ ପ୍ରସ୍ତୁତି ଓ ତାଲିମ ଆବଶ୍ୟକ । ସର୍ବାଗ୍ରେ ତାଲିମ ପାଠ୍ୟକ୍ରମ ଓ ତାଲିମଦାତାଙ୍କ ପୂର୍ବପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ । ସାମ୍ୱାଦିକଙ୍କ ଆଚରଣରେ ଗୁଣାତ୍ମକ ବିକାଶ ନିମନ୍ତେ ଏଭଳି କେତେକ ବିଷୟ ବିଚାରକୁ ନିଆଯାଇପାରେ ।        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୩ ସେପ୍ଟେମ୍ୱର ୨୦୧୯

ଇନଫ୍ଳୁଏନସର ମାର୍ଗଦର୍ଶିକା

ଡ଼ିଜିଟାଲ ମିଡ଼ିଆର ବ୍ୟାପ୍ତି ସଙ୍ଗେ ଇନଫ୍ଳୁଏନସର ବିଜ୍ଞାପନର ପ୍ରଭାବ କ୍ରମଶଃ ବୃଦ୍ଧି ପାଇଚାଲିଛି ।


 

ମୁଦ୍ରଣ କ୍ଷେତ୍ରରେ ପାଠକ, ରେଡ଼ିଓରେ ଶ୍ରୋତା ଓ ଟେଲିଭିଜନରେ ଦର୍ଶକ ସୃଷ୍ଟି ହେଉଥିବା ସ୍ଥଳେ ଡ଼ିଜିଟାଲ ମିଡ଼ିଆର ଉପଭୋକ୍ତା ପାରମ୍ପରିକ ମଞ୍ଚଗୁଡ଼ିକଠାରୁ କେତେକାଂଶରେ ଭିନ୍ନ ।


 

ଉଦାହରଣରେ ମୁଦ୍ରିତ ସମ୍ୱାଦପତ୍ର ସଂସ୍କରଣଗୁଡ଼ିକ ଏକ ବିସ୍ତୃତ ଭୌଗଳିକ ପରିସୀମାର ଶିକ୍ଷିତ ଓ ଅଳ୍ପଶିକ୍ଷିତ, ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଓ ଅବହେଳିତ ଇତ୍ୟାଦି ବହୁମୁଖୀ ବର୍ଗର ପାଠକଙ୍କ ନିମନ୍ତେ ଏକକ ଉତ୍ପାଦ ପ୍ରସ୍ତୁତ କରୁଥିବା ସ୍ଥଳେ ଡ଼ିଜିଟାଲ ମଞ୍ଚରେ ପାଠକୀୟ ରୁଚ଼ିକୁ ଚ଼ରିତାର୍ଥ ନିମନ୍ତେ ବହୁ ସଂଖ୍ୟକ ସଂସ୍କରଣ ସୃଷ୍ଟି କରିବାରେ ସମର୍ଥ । ତାତ୍ତ୍ୱିକ ଦୃଷ୍ଟିରୁ ଯେକୌଣସି ସୁକ୍ଷ୍ମାତିସୁକ୍ଷ୍ମ ବର୍ଗର ପାଠକଙ୍କ ନିମନ୍ତେ ମୁଦ୍ରିତ ପାଠ୍ୟ ପ୍ରସ୍ତୁତ ସଂଭବପର, କିନ୍ତୁ ସମ୍ପାଦକୀୟ ଓ ଅର୍ଥନୀତିକ କାରଣରୁ ଅତିକମ ସଂଖ୍ୟକଙ୍କ ନିମନ୍ତେ ସ୍ୱତନ୍ତ୍ର ସଂସ୍କରଣ ପ୍ରସ୍ତୁତି ବାସ୍ତବ କ୍ଷେତ୍ରରେ ଅସଂଭବ ।


 

ଅପରପକ୍ଷେ ଡ଼ିଜିଟାଲ ମଞ୍ଚରେ ଅତ୍ୟନ୍ତ ସଂକୁଚିତ ‘ନେରୋ’ ବିଷୟବସ୍ତୁ ସଂପର୍କରେ ଭୌଗଳିକ ସୀମାପାର ପରିବେଶରେ ସୀମିତ ସଂଖ୍ୟକ ଉପଭୋକ୍ତାଙ୍କ ନିମନ୍ତେ ଉତ୍ପାଦ ପ୍ରସ୍ତୁତି ସଂଭବପର । ଉଦାହରଣରେ ପ୍ରେକ୍ଷାଳୟରେ ପ୍ରଦର୍ଶନ ନିମନ୍ତେ ଚଳଚ଼ିତ୍ର ସଂପ୍ରସାରିତ ‘ୱାଇଡ଼’ ଦର୍ଶକବର୍ଗଙ୍କ ରୁଚ଼ିକୁ ପାଥେୟ କରି ପ୍ରଯୋଜନା ଅପରିହାର୍ଯ୍ୟ ଥିବା ସ୍ଥଳେ ଓଭର-ଦି-ଟପ ‘ଓଟିଟି’ ମଞ୍ଚରେ ସୀମିତ ଦର୍ଶକଙ୍କ ରୁଚ଼ି ଆଧାରରେ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନ ସଂଭବପର ।


 

ଉପଭୋକ୍ତାଙ୍କ ରୁଚ଼ିଭିତ୍ତିକ ମଞ୍ଚ ପ୍ରସ୍ତୁତିରେ ଡ଼ିଜିଟାଲ ମିଡିଆ ସମୃଦ୍ଧ । ଏଥିରେ ଉପଭୋକ୍ତାଙ୍କ ମଧ୍ୟରେ ସମଗୋତ୍ର ଗୋଷ୍ଠୀ ‘କମ୍ୟୁନିଟି’ ଗଠନ ଅନ୍ୟତମ ମୁଖ୍ୟ ଆକର୍ଷଣ । ଡ଼ିଜିଟାଲ ମଞ୍ଚରେ ଉପଭୋକ୍ତା ନିଜ ଜାଣତ ବା ଅଜାଣତରେ ସ୍ୱଭାବତଃ କେବଳ ପସନ୍ଦଯୋଗ୍ୟଗୋଷ୍ଠୀରେ ସାମିଲ ହୁଏ ନାହିଁ, ବରଂ ସେହି ମଞ୍ଚରେ ପ୍ରକାଶିତ କେଉଁ ସୃଜନ ‘କଣ୍ଟେଣ୍ଟ’ କେତେବେଳେ କେତେଥର ପଢ଼ିବ, ଶୁଣିବ ବା ଦେଖିବ ନିଜେ ସ୍ଥିର କରିବା ସୁଯୋଗ ମଧ୍ୟ ହାସଲ କରିଥାଏ ।


 

ବ୍ୟକ୍ତିଗତ ସାଜସରଞ୍ଜାମ, ଯଥା: ସ୍ମାର୍ଟଫୋନ, ଟେବଲେଟ, ଲ୍ୟାପଟପ, ଡେସ୍କଟପ ଯୋଗେ ଡିଜିଟାଲ ମିଡ଼ିଆରେ ପହଞ୍ଚି କେବଳ ନିଜ ରୁଚ଼ିସମ୍ପନ୍ନ ସୃଜନ ନିର୍ବାଚନ କରି ଏକକ ବିଷୟବସ୍ତୁରେ ସଂପୃକ୍ତ ରହିବା ଯୋଗୁଁ ତୀବ୍ର ଗୋଷ୍ଠୀବାଦ ‘ପୋଲରାଇଜେସନ’ରେ ଆଚ୍ଛାଦିତ ହେବା ସ୍ୱଭାବିକ । ଉପଭୋକ୍ତା ନିର୍ବାଚ଼ିତ ମଞ୍ଚ ଓ ଗୋଷ୍ଠୀରେ ପହଞ୍ଚୁଥିବା ହେତୁ ‘ଫିଲଟର ବବୁଲ’ ଓ ମନପସନ୍ଦ ସୃଜନ ବାରମ୍ୱାର ପଢ଼ା, ଶୁଣା ଓ ଦେଖାରେ ପ୍ରତିଧ୍ୱନିତ ‘ଇକୋ-ଚେମ୍ୱର’ରେ ନିମଗ୍ନ ରହିଥାଏ ।


 

ଡ଼ିଜିଟାଲ ମିଡ଼ିଆ ଉପଭୋକ୍ତାମାନେ ଦୈନିକ ପାଞ୍ଚ ଘଣ୍ଟା ଯାଏଁ ଭର୍ଚୁଆଲ ପରିବେଶରେ ସମୟ ଅତିବାହିତ କରୁଥିବା କାରଣରୁ ଗୋଷ୍ଠୀଗତ ଚ଼ିନ୍ତାଧାରା ବ୍ୟକ୍ତିମାନସର ଅଂଶବିଶେଷ ପାଲଟିଯାଏ । ଡ଼ିଜିଟାଲ ମଞ୍ଚଗୁଡ଼ିକର ସୃଜନ ସ୍ରଷ୍ଟା ଉପଭୋକ୍ତାମାନଙ୍କୁ ପ୍ରଭାବିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ପାରମ୍ପରିକ ଗଣମାଧ୍ୟମରେ ଲେଖକ, ସମ୍ପାଦକ ଓ ବିଜ୍ଞାପନ କର୍ମ୍ମୀଙ୍କ କାର୍ଯ୍ୟଭାର ଡ଼ିଜିଟାଲ ମଞ୍ଚ ପରିଧିରେ ଇନଫ୍ଳୁଏନସରଗଣ ଏକତ୍ର ପରିଚାଳନା କରିଥାନ୍ତି । ସୋସିଆଲ ମିଡ଼ିଆରେ ପାଠକ, ଶ୍ରୋତା ଓ ଦର୍ଶକଙ୍କ ମହଲରେ ସେମାନେ କ୍ଷମତାକେନ୍ଦ୍ର ରୂପେ ଗଢ଼ି ଉଠିଥାନ୍ତି । ଡ଼ିଜିଟାଲ ମିଡ଼ିଆକୁ ବ୍ୟାପକମାତ୍ରାରେ ବିଜ୍ଞାପନ ଅପସାରିତ ହେଉଥିବା ଅବସରରେ ଇନଫ୍ଳୁଏନସରଙ୍କ ସୃଜନ ଯୋଗେ ବିଜ୍ଞପ୍ତି କରାଇବା ବିଜ୍ଞାପନ ବ୍ୟବସାୟରେ ଏକ ନୂତନ ଧାରାରେ ପରିଣତ ହୋଇଛି ।


 

ଅନଲାଇନ ପରିବେଶରେ ଇନଫ୍ଳୁଏନସର ଅନ୍ତତଃପକ୍ଷେ ତିନିଗୋଟି ବିଭବ ଅଧିକାରୀ । ପ୍ରଥମତଃ, ଇନଫ୍ଳୁଏନସର ନିର୍ଦ୍ଦିଷ୍ଟ ସଂଖ୍ୟକ ପାଠକ, ଶ୍ରୋତା ବା ଦର୍ଶକଙ୍କୁ ନିଜ ମଞ୍ଚରେ ଏକତ୍ରୀତ କରିଥାଏ । ଉଦାହରଣରେ ତାହାର ‘ଫେସବୁକ’ ଏକାଉଣ୍ଟରେ ଅଧିକ ସଂଖ୍ୟକ ଅନୁଗାମୀ ‘ଫାଲୋୟର୍ସ’ ଥାନ୍ତି । ଦ୍ୱିତୀୟତଃ, ଅନଲାଇନ ପରିବେଶରେ ଉପଭୋକ୍ତାମାନେ ନିଜ ରୁଚ଼ି ଅନୁଯାୟୀ ମଞ୍ଚ ନିର୍ବାଚ଼ନର ସୁବିଧା ଉପଭୋଗ କରୁଥିବା ହେତୁ ସେମାନଙ୍କ ପସନ୍ଦଯୋଗ୍ୟ ଇନଫ୍ଳୁଏନସର ନିଜ ଅନୁଗାମୀମାନଙ୍କ ଚ଼ିନ୍ତାଧାରାକୁ ପ୍ରଭାବିତ କରିବା ଅଧିକାର ପାଇଥାଏ । ଅର୍ଥାତ, ଇନଫ୍ଳୁଏନସର ଯାହା କହେ ତାହା ଅନୁଗାମୀମାନଙ୍କ ବିଶ୍ୱାସବୋଧ ହୁଏ । ତୃତୀୟତଃ, ଏହି ପରିପ୍ରେକ୍ଷୀରେ କୌଣସି ଦ୍ରବ୍ୟ ବା ସେବା ସଂପର୍କରେ ଇନଫ୍ଳୁଏନସର ଅନୁକୂଳ ମତ ପ୍ରଦାନକଲେ ଉପଭୋକ୍ତାଙ୍କ ମଧ୍ୟରେ ଗ୍ରହଣୀୟ ହୋଇଥାଏ ।


 

ବିଭିନ୍ନ ପରିସଂଖ୍ୟାନ ଅନୁଯାୟୀ ମହାମାରୀ-ପୂର୍ବବସ୍ଥାରେ ଭାରତରେ ମୋଟ ଡ଼ିଜିଟାଲ ମିଡ଼ିଆ ବିଜ୍ଞାପନ ବ୍ୟୟର ୧୫ ପ୍ରତିଶତ ଇନଫ୍ଳୁଏନସର ବିଜ୍ଞାପନ ଭାଗରେ ରହିଆସିଥିବା ସ୍ଥଳେ ମହାମାରୀ ଅବସ୍ଥାରେ ୨୦ ରୁ ୩୦ ପ୍ରତିଶତ ଯାଏଁ ପହଞ୍ଚିଥିବା ଆକଳନ କରାଯାଏ । ମହାମାରୀ-ପୂର୍ବ ଅବସ୍ଥାରେ ୨୦୧୯-୨୦ରେ ୨୧ ହଜାର କୋଟି ଟଙ୍କା ଡ଼ିଜିଟାଲ ମିଡ଼ିଆ ବିଜ୍ଞାପନ ହିସାବ କରାଗଲେ ୨୦୨୧ ମଧ୍ୟଭାଗ ସୁଦ୍ଧା ପ୍ରାୟ ଚାରିରୁ ଛଅ ହଜାର କୋଟି ଟଙ୍କା ଇନଫ୍ଳୁଏନସର ବିଜ୍ଞାପନ ବ୍ୟୟ ଏହାର କ୍ରମବିକାଶ ସୂଚ଼ିତ କରିଥାଏ ।


 

ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ସୃଜନ ଓ ବିଜ୍ଞାପନ ମଧ୍ୟରେ ପ୍ରଭେଦ ଉପଭୋକ୍ତା ସହଜରେ ଠଉରାଇପାରେ । ଅବଶ୍ୟ ପ୍ରାୟୋଜିତ ସମ୍ୱାଦ ଓ କାର୍ଯ୍ୟକ୍ରମରେ ବିଜ୍ଞପ୍ତି ବା ସ୍ୱୀକାରୋକ୍ତି ଅଭାବରେ ସ୍ପଷ୍ଟ ବିଭକ୍ତକରଣ ସଂଭବପର ହୋଇନଥାଏ । ଡ଼ିଜିଟାଲ ମିଡ଼ିଆରେ ବ୍ୟାପକ ମାତ୍ରାରେ ପ୍ରାୟୋଜିତ ସୃଜନ ଏବଂ ଏହିକ୍ଷେତ୍ରରେ ବିପୁଳ ଆର୍ଥିକ କାରବାର ପରିଲକ୍ଷିତ ହେବାପରେ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ ଫଳରେ ଇନଫ୍ଳୁଏନସରଙ୍କ ଭୂମିକା ଚର୍ଚ୍ଚାକୁ ଆସିଛି ।


 

‘ଏଡ଼ଭାଟାଇଜିଂ ଷ୍ଟାଣ୍ଡାର୍ଡସ କାଉନସିଲ ଅଫ ଇଣ୍ଡିଆ’ ପକ୍ଷରୁ ୨୦୨୧ ମେ’ମାସ ଶେଷ ସପ୍ତାହରେ ସୋସିଆଲ ମିଡ଼ିଆରେ ଇନଫ୍ଳୁଏନସରମାନଙ୍କ ଦ୍ୱାରା ପ୍ରାୟୋଜିତ ସୃଜନ ପ୍ରକାଶକାଳରେ ଏହାକୁ ବିଜ୍ଞାପନ ରୂପେ ସୂଚ଼ିତ କରାଇବା ନିମନ୍ତେ ମାର୍ଗଦର୍ଶିକା ପ୍ରକାଶ କରାଯାଇଛି । ‘ଏଏସସିଆଇ’ର ନିର୍ଦ୍ଦେଶନାମା ୧୪ ଜୁଲାଇ ୨୦୨୧ରୁ ଲାଗୁ କରିବା ନିଷ୍ପତ୍ତି ଗୃହୀତ ହୋଇଛି । ଭାରତର ବିଜ୍ଞାପନ ବ୍ୟବସାୟରେ ‘ଏଏସସିଆଇ’ ବୃତ୍ତିଭିତ୍ତିକ ଶୀର୍ଷ ସଂଗଠନ । ବିଜ୍ଞାପକ, ବିଜ୍ଞାପନ ଏଜେନ୍ସି, ଗଣମାଧ୍ୟମ ଓ ବିଶେଷଜ୍ଞଙ୍କ ପ୍ରତିନିଧିତ୍ୱରେ ୧୯୮୫ରୁ ଗଢ଼ିଉଠିଥିବା ଏହି ସ୍ୱେଚ୍ଛାସେବୀ ସଂଗଠନ ଆତ୍ମନିୟନ୍ତ୍ରିତ ।


 

ପ୍ରସ୍ତାବିତ ମାର୍ଗଦର୍ଶିକା ଅନୁଯାୟୀ ସୋସିଆଲ ମିଡ଼ିଆରେ ଯେକୌଣସି ଇନଫ୍ଳୁଏନସର ପ୍ରାୟୋଜିତ ସୃଜନ ଅର୍ଥାତ ଅର୍ଥବିନିମୟରେ କୌଣସି ଦ୍ରବ୍ୟ ବା ସେବା ଇତ୍ୟାଦି ସପକ୍ଷରେ ପ୍ରକାଶନ କରିବା ଅବସରରେ ବିଜ୍ଞାପନ ରୂପେ ଚ଼ିହ୍ନିତ କରିବା ବାଧ୍ୟତାମୂଳକ । ଏଥିଲାଗି ପାଠ୍ୟ, ସ୍ୱର ଓ ଦୃଶ୍ୟ ପ୍ରକାଶନ କାଳରେ #ଏଡ଼ (#ବିଜ୍ଞାପନ), #କୋଲାବ(#ସହଭାଗୀ), #ପ୍ରମୋ (#ପ୍ରୋତ୍ସାହିତ), #ସ୍ପନସୋରଡ଼ (#ପ୍ରାୟୋଜିତ), #ପାର୍ଟନରସିପ (#ସହବନ୍ଧିତ) ପାଞ୍ଚଗୋଟି ହାସଟେଗରୁ କୌଣସି ଗୋଟିଏ ସ୍ପଷ୍ଟଭାବେ ସୂଚିତ କରିବେ । ଏହା ଇଂଲିଶ କିମ୍ୱା ପ୍ରକାଶିତ ଭାରତୀୟ ଭାଷାରେ ଉଲ୍ଲେଖ କରାଯାଇପାରିବ । ଭିନ୍ନଭିନ୍ନ ଡ଼ିଜିଟାଲ ମଞ୍ଚରେ ଏହି ସ୍ୱୀକାରୋକ୍ତି ପ୍ରକାଶନ ସଂପର୍କୀତ ବିସ୍ତୃତ ବିବରଣୀ ମଧ୍ୟ ମାର୍ଗଦର୍ଶିକାରେ ବର୍ଣ୍ଣନା ହୋଇଛି ।


 

ଅନଲାଇନ ପାଠ୍ୟ କ୍ଷେତ୍ରରେ ପ୍ରଥମ ଦୁଇ ଲାଇନରେ ନିର୍ଦ୍ଧାରିତ ଲେବଲ ପ୍ରକାଶନ ଧାର୍ଯ୍ୟ ହୋଇଥିବା ସ୍ଥଳେ ଭିଡ଼ିଓ କ୍ଷେତ୍ରରେ ୧୫ ସେକେଣ୍ଡର କ୍ଳିପ ପାଇଁ ୨ ସେକେଣ୍ଡ, ଦୁଇ ମିନଟର କ୍ଳିପ ପାଇଁ ଏକ ତୃତୀୟାଂଶ, ଦୁଇ ମିନଟରୁ ଅଧିକ କ୍ଳିପ ପାଇଁ ସଂପୂର୍ଣ୍ଣ ଅବଧି ତଥା ଭିଡ଼ିଓ ଷ୍ଟ୍ରୀମିଂ ଅବସରରେ ପ୍ରତି ମିନିଟ ଶେଷରେ ୫ ସେକେଣ୍ଡରେ ସ୍ୱୀକାରୋକ୍ତି ଲେବଲ ପ୍ରକାଶିତ ହେବ । ଅଡ଼ିଓ ଫାଇଲରେ କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷରେ ଲେବଲ ରେକର୍ଡ କରାଯିବ । ସେହିପରି ସୋସିଆଲ ମିଡ଼ିଆରେ ବ୍ଳଗରେ ଶୀର୍ଷକ ସହ, ଫେସବୁକ ଓ ଟୁଇଟରରେ ପୋଷ୍ଟର ଆରମ୍ଭ ତଥା ଚ଼ିତ୍ର ଓ ଭିଡ଼ିଓ ଉପରେ ଏବଂ ୟୁଟ୍ୟୁବରେ ଶୀର୍ଷକରେ ଲେବଲ ପ୍ରଦର୍ଶିତ ହେବା ଆବଶ୍ୟକ ।


 

ଏହାର ଉଲଂଘନରେ ‘ଏଏସସିଆଇ’ ପକ୍ଷରୁ ଇନଫ୍ଳୁଏସନର ଓ ବ୍ରାଣ୍ଡମାଲିକ ଉଭୟଙ୍କୁ କୈଫିୟତ ମଗାଯିବ । ଘୋଷଣା ନକରି ବିଜ୍ଞାପନ ପ୍ରକାଶ ଅପରାଧରେ ‘କନଜ୍ୟୁମର ପ୍ରୋଟେକସନ ଆକ୍ଟ ୨୦୧୯’ ଆଧାରରେ ଦଣ୍ଡବିଧାନର ମଧ୍ୟ ପ୍ରାବଧାନ ରହିବ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଆଇନ ଅନୁଯାୟୀ ଅସାଧୁ ବିଜ୍ଞାପନ ପ୍ରଦର୍ଶନଲାଗି ଦଶ ରୁ ପଚାଶ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଧାରିତ ହୋଇଥାଏ ।


 

‘ଏଏସସିଆଇ’ ପକ୍ଷରୁ ପ୍ରକାଶିତ ‘ଗାଇଡ଼ଲାଇନ୍ସ ଫର ଇନଫ୍ଲୁଏନସର ଏଡ଼ଭାଟାଇଜିଂ ଅନ ଡ଼ିଜିଟାଲ ମିଡ଼ିଆ’ ୨୦୧୯ରୁ ପ୍ରସ୍ତୁତି ଆରମ୍ଭ ହୋଇ ୨୦୨୧ ଫେବୃୟାରୀରେ ଚିଠା ସର୍ବସାଧାରଣରେ ପ୍ରକାଶିତ ହୋଇଥିଲା । ଡିଜିଟାଲ ମିଡ଼ିଆରେ ଏହି ନିୟମାବଳୀ ଲାଗୁ ହେବା ପରେ ଉଲଂଘନ ଚ଼ିହ୍ନଟ କରିବା ନିମନ୍ତେ ଅତ୍ୟାଧୁନିକ କାରିଗରୀ କୌଶଳ ବ୍ୟବହାର କରାଯିବ । ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ‘ରିଚ ଇନଫ୍ଳୁଏନସ କ୍ଳାଉଡ଼ ପ୍ଲାଟଫରମ’ ଓ ମେସିନ ଲର୍ଣ୍ଣିଂ ‘ରେଗୁଲାର ଏକ୍ସପ୍ରେସନ’ ମାଧ୍ୟମରେ ଅନଲାଇନ ସମୀକ୍ଷାରେ ବିଜ୍ଞାପନ ଚ଼ିହ୍ନଟ କରିବା ନିମନ୍ତେ ସ୍ଥିରୀକୃତ ହୋଇଛି ।


 

କ୍ରମବିକଶିତ ଡ଼ିଜିଟାଲ ମିଡ଼ିଆରେ ବିଜ୍ଞାପନ ବ୍ୟୟ ଟେଲିଭିଜନ ବିଜ୍ଞାପନ ପରକୁ ଦ୍ୱିତୀୟସ୍ଥାନ ଅଧିକାର କରିବା ଆକଳନ କରାଯାଉଛି । ଅନଲାଇନ ବ୍ୟବସାୟ ବୃଦ୍ଧି ଅବସରରେ ଉପଭୋକ୍ତାମାନେ ବିଭିନ୍ନ ଉତ୍ପାଦ ଓ ସେବା ସଂପର୍କରେ ସୋସିଆଲ ମିଡ଼ିଆରେ ଉପଲବ୍ଧ ତଥ୍ୟ ଖୋଜୁଛନ୍ତି । ଏହି ପରିପ୍ରେକ୍ଷୀରେ ‘ଏଏସସିଆଇ’ର ମାର୍ଗଦର୍ଶିକା ପ୍ରଣୟନ ସମୟ ଉପଯୋଗୀ ମନେହୁଏ । ମାର୍ଗଦର୍ଶିକାର ବିସ୍ତୃତ ବିବରଣୀ ସର୍ବସାଧାରଣରେ ଉପଲବ୍ଧ କରାଇବା ନିମନ୍ତେ ‘ଏଏସସିଆଇ ଡ଼ଟ ସୋସିଆଲ’ ନାମରେ ଏକ ମଞ୍ଚ ପ୍ରସ୍ତୁତ ହେଉଥିବା ଜଣାଯାଏ ।


 

ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଦ୍ୱିତୀୟାର୍ଦ୍ଧରୁ ଅସତ୍ୟ ସମ୍ୱାଦ ‘ଫେକ ନିଉଜ’, ଷଢଯନ୍ତ୍ର ତତ୍ତ୍ୱ ‘କନସିପେରସି ଥିଓରି’ ଯେଉଁ ମାତ୍ରାରେ ପ୍ରଭାବ ବିସ୍ତାର କରିଛି, ଠିକ୍ ସେହି ପରିମାଣରେ ଅନଲାଇନ ସୃଜନରେ ସମ୍ପାଦକୀୟ ଓ ବିଜ୍ଞାପନର ସମିଶ୍ରଣ ଧାରା ବଳବତ୍ତର ରହିଛି । ଫଳରେ ଉପଭୋକ୍ତା ଦ୍ରବ୍ୟ ଓ ସେବା କ୍ରୟ ସମୟରେ ପ୍ରତାରିତ ହେଉଥିବା ଏକ ସମସ୍ୟା ରୂପେ ମୁଣ୍ଡଟେକିଛି । ଏହାର ସମାଧାନ ଦିଗରେ ବିଜ୍ଞାପନ ବୃତ୍ତିଭିତ୍ତିକ ସଂଗଠନଗୁଡ଼ିକ ପକ୍ଷରୁ ବିଶ୍ୱବ୍ୟାପୀ  ଉଦ୍ୟମ ଆରମ୍ଭ ହୋଇଛି ଏବଂ ଭାରତ ମଧ୍ୟ ସେଥିରେ ସାମିଲ ହେବା ସ୍ୱାଗତଯୋଗ୍ୟ ପଦକ୍ଷେପ ।

        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁନ ୨୦୨୧


ତଥ୍ୟ :



ASCI issues final guidelines for influencer advertising on digital media. ET BrandEquity. May 27, 2021


 

https://brandequity.economictimes.indiatimes.com/news/marketing/asci-issues-final-guidelines-for-influencer-advertising-on-digital-media/83002815


 

Influencer marketing : The need for transparency. ET BrandEquity. May 28, 2021.


 

https://brandequity.economictimes.indiatimes.com/news/marketing/influencer-marketing-the-need-for-transparency/83002427


 

All you need to know about the guidelines on influencer advertising on digital media.


 

https://blog.ipleaders.in/need-know-guidelines-influencer-advertising-digital-media/

ଡ଼ିଜିଟାଲ ମଞ୍ଚରେ ଉପଭୋକ୍ତାଙ୍କ ଗୋପନୀୟତା

ଡ଼ିଜିଟାଲ ମଞ୍ଚରେ ଉପଭୋକ୍ତାଙ୍କ ଗୋପନୀୟତା ସୁରକ୍ଷା ଲାଗି ବିଶ୍ୱବ୍ୟାପୀ ତତ୍ପରତା ସୃଷ୍ଟି ଲକ୍ଷ୍ୟ କରାଯାଇପାରେ । ଇଣ୍ଟରନେଟର ବ୍ୟାପ୍ତି ପରେ ଡ଼ିଜିଟାଲମଞ୍ଚଗୁଡ଼ିକରେ ସାମଗ୍ରୀକ ଯୋଗାଯୋଗ ପ୍ରକ୍ରିୟାରେ ବିଶ୍ୱ ଜନସଂଖ୍ୟାର ଅର୍ଦ୍ଧାଧିକଙ୍କ ସଂପୃକ୍ତି ଏହାକୁ କ୍ରମଶଃ ସର୍ବସାଧାରଣରେ ଦୈନନ୍ଦିନ ଜୀବନର ଅବିଚ୍ଛେଦ ଅଂଶ ରୂପେ ଗଢ଼ିତୋଳିଛି । ଡ଼ିଜିଟାଲମଞ୍ଚଗୁଡ଼ିକ ବ୍ୟବହାରରେ ଦୀର୍ଘ ସମୟ ଧରି ଉପସ୍ଥିତି ଏବଂ ବହୁବିଧ ତଥ୍ୟ ବିନିମୟ ହେତୁ ଏହି କ୍ଷେତ୍ରରେ ଉପଭୋକ୍ତାଙ୍କ ଗୋପନୀୟତା ଗୁରୁତ୍ୱବହନ କରିଥାଏ ।


 

ଆନ୍ତର୍ଜାତିକସ୍ତରରେବିଭିନ୍ନ ରାଷ୍ଟ୍ରରେ ସରକାରଙ୍କପକ୍ଷରୁଡ଼ିଜିଟାଲ ମଞ୍ଚରେ ଉପଭୋକ୍ତାଙ୍କ ଗୋପନୀୟତା ସୁରକ୍ଷାଲାଗି ଆଇନ ପ୍ରଣୟନ କରାଯାଉଛି । ୟୁରୋପୀୟୟୁନିଅନ ପକ୍ଷରୁ ‘ଜେନେରାଲ ଡ଼ାଟାପ୍ରୋଟେକସନରେଗୁଲେସନ’ ଇଣ୍ଟରନେଟ ବ୍ୟବହାରକାରୀଙ୍କସ୍ୱାର୍ଥ ସଂରକ୍ଷଣ ନିମନ୍ତେ ଅଗ୍ରଣୀ ପଦକ୍ଷେପ । ଆଷ୍ଟ୍ରେଲିଆ, କାନାଡ଼ା, ଜର୍ମାନୀ ଓ ସିଙ୍ଗାପୁରରେ ଅନୁରୂପ ଆଇନ ପ୍ରଣୀତ ହୋଇସାରିଛି । ୨୦୧୯ ଏପ୍ରିଲ ମାସ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତରେ ଗୋପନୀୟତା ଆଇନ ପ୍ରଣୟନ ନିମନ୍ତେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାଯାଏ ।


 

ସଂଯୁକ୍ତ ରାଷ୍ଟ୍ରପୁଞ୍ଜ‘ୟୁନାଇଟେଡ଼କିଙ୍ଗଡ଼ମ’ରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ସର୍ବସାଧାରଣ ହାନୀକାରକ ପାଠ୍ୟ ଓ ଚ଼ିତ୍ର ପ୍ରସାରିତ ହେଲେ ସଂପୃକ୍ତ ମଞ୍ଚର ଉଚ୍ଚ କର୍ମକର୍ତ୍ତାମାନଙ୍କୁ  ବ୍ୟକ୍ତିଗତଭାବେ ଦାୟୀ କରାଯିବା ତଥା ଦଣ୍ଡବିଧାନ ନିମନ୍ତେ ଆଇନ ପ୍ରଣୟନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ୨୦୧୯ ପ୍ରଥମଭାଗରେଏଭଳି ପ୍ରସ୍ତାବର ବ୍ୟାପକ ବିଚାରବିମର୍ଷ ନିମନ୍ତେ ଏକ ତିନିମାସିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଥିବା ଘୋଷିତ ହୋଇଛି । ଅଭିବ୍ୟକ୍ତିରେ ସ୍ୱାଧୀନତାକୁଖର୍ବ ନକରି ଡ଼ିଜିଟାଲ ମଞ୍ଚରେ ନକାରାତ୍ମକ ପାଠ୍ୟ ଓ ଚ଼ିତ୍ର ବିନିମୟରେ ପ୍ରତିବନ୍ଧକ ସୃଷ୍ଟି ନିମନ୍ତେ ଉଦ୍ୟମ କରାଯିବ ବୋଲି କୁହାଯାଇଛି । ମୁଖ୍ୟତଃ ଯୁବବର୍ଗଙ୍କ ଦୈନନ୍ଦିନ ଜୀବନରେ ଡ଼ିଜିଟାଲ ମଞ୍ଚ ପ୍ରଭାବଶାଳୀ ଭୂମିକା ଗ୍ରହଣ କରୁଥିବା ହେତୁ ସରକାରୀସ୍ତରରେଏଦିଗରେକାର୍ଯ୍ୟାନୁଷ୍ଠାନ ଗ୍ରହଣ ଅପରିହାର୍ଯ୍ୟ ହୋଇପଡ଼ିଛି ।


 

ସଂଯୁକ୍ତ ରାଷ୍ଟ୍ରପୁଞ୍ଜରେଡ଼ିଜିଟାଲ ମଞ୍ଚର ସମୀକ୍ଷା ନିମନ୍ତେ ଏକ ସ୍ୱାଧୀନ ନିୟାମକ ‘ଇଣ୍ଡିପେଣ୍ଡେଣ୍ଟରେଗୁଲେଟର’ ଗଠନର ପ୍ରସ୍ତାବ ରହିଛି । ଏଭଳି ସଂସ୍ଥାର ପରିଚ଼ାଳନା ବାବଦରେ ଖର୍ଚ୍ଚ ଦେଶରେ କାର୍ଯ୍ୟରତ ଫେସବୁକ, ଇନଷ୍ଟ୍ରାଗ୍ରାମ, ୟୁ-ଟ୍ୟୁବ, ଟୁଇଟର ଭଳି ସୋସିଆଲ ମିଡ଼ିଆ ମଞ୍ଚ ଗୁଡ଼ିକଠାରୁ‘ଲେଭି’ ଆକାରରେ ଆଦାୟ କରାଯିବ । ବିଶ୍ୱର ଅନ୍ୟତ୍ର ଡ଼ିଜିଟାଲମଞ୍ଚଗୁଡ଼ିକରକାର୍ଯ୍ୟକଳାପ ନିୟନ୍ତ୍ରଣ ନିମନ୍ତେ ଆଇନ ପ୍ରଣୀତ ହୋଇଥିଲେ ହେଁ ସଂଯୁକ୍ତ ରାଷ୍ଟ୍ରପୁଞ୍ଜର ପ୍ରସ୍ତାବିତ ଆଙ୍ଗୀକ‘ମଡ଼େଲ’ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ ବୋଲି ବିଚ଼ାର କରାଯାଉଛି । କାରଣ ଆଇନ ପ୍ରଣୟନ କରି ସରକାରୀ କଳ ହାତରେ ସମୀକ୍ଷା ଓ ଦଣ୍ଡବିଧାନକ୍ଷମତା ଠୁଳ କରାଗଲେ ତାହାର ଦୁରୋପଯୋଗର ଆଶଙ୍କା ରହିଥାଏ । ଏକପକ୍ଷରେସରକାରୀସ୍ତରରେଡ଼ିଜିଟାଲ ମଞ୍ଚ ପରିଚ଼ାଳନାଗତକଳାକୌଶଳ ସଂପର୍କରେ ଅଜ୍ଞତା ଏବଂ ଅପରପକ୍ଷରେ ପ୍ରଭାବିତ ପକ୍ଷଗୁଡ଼ିକ ନିଜ ପକ୍ଷ ସୁଚ଼ାରୁରୂପେ ଉପସ୍ଥାପନ କରିବା ସୁବିଧାସୁଯୋଗ ବ୍ୟାହତ ହେବା ପ୍ରତିବନ୍ଧକକୁ ଏଡ଼ାଇ ଦେଇ ହୁଏନା । ସ୍ୱାଧୀନଭାବେ ବୈଷୟିକ ଦକ୍ଷତା ହାସଲ କରିଥିବା ତୃତୀୟପକ୍ଷର ବିଚ଼ାର ଉଭୟ ଉପଭୋକ୍ତା ଓ ମଞ୍ଚ ପରିଚ଼ାଳକମାନଙ୍କସ୍ୱାର୍ଥରକ୍ଷାରେ ସମର୍ଥ ହୋଇପାରିବା ବିଶ୍ୱାସ କରାଯାଇପାରେ ।


 

ସମକାଳରେ ସୋସିଆଲ ମିଡ଼ିଆ ମଞ୍ଚଗୁ଼ଡ଼ିକରେପ୍ରତ୍ୟେହ କୋଟି କୋଟି ସଂଖ୍ୟାରେ ପାଠ୍ୟ ଓ ଚ଼ିତ୍ର ସ୍ଥାନିତ ହେଉଥିବା ପରିପ୍ରେକ୍ଷୀରେ ସେଗୁଡ଼ିକର ସମୀକ୍ଷା ମଞ୍ଚ ପରିଚ଼ାଳକମାନଙ୍କନିମନ୍ତେ କଷ୍ଟସାଧ୍ୟ ହୋଇପଡୁଥିବା ଅଭିଯୋଗ ହୋଇଥାଏ । ଅବଶ୍ୟ ଏହି ସମସ୍ୟାର ସମାଧାନ ନିମନ୍ତେ ସଂପୃକ୍ତ ମଞ୍ଚଗୁଡ଼ିକପକ୍ଷରୁ ଅତ୍ୟାଧୁନିକ ବୈଷୟିକ କୌଶଳ, ଯଥା :ଆର୍ଟିଫିସିଆଲଇଣ୍ଟଲିଜେନ୍ସ, ମେସିନ ଲର୍ଣ୍ଣିଂ ଇତ୍ୟାଦି ଉପଯୋଗ କରାଯାଉଛି, ତେବେ ପୂର୍ଣ୍ଣ ସଫଳତା ମିଳିପାରୁ ନାହିଁ । ସଂପୃକ୍ତ ମଞ୍ଚଗୁଡ଼ିକ ପକ୍ଷରୁ ନିର୍ବାଚ଼ନ ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଅବସରରେ ଅସ୍ଥାୟୀଭିତ୍ତିରେସମୀକ୍ଷକମାନଙ୍କୁ ନିଯୁକ୍ତ କରୁଛନ୍ତି । ଏଦିଗରେ ମଞ୍ଚ ପରିଚ଼ାଳକମାନେଉତ୍ତରଦାୟୀରହିବା ନିମନ୍ତେ ଆଇନ ପ୍ରଣୟନର ଆବଶ୍ୟକତା ଅନୁଭୂତ ହୋଇଥାଏ ।


 

୨୦୧୯ ମାର୍ଚ୍ଚ ମାସରେ ନିଉଜିଲ୍ୟାଣ୍ଡଧର୍ମସ୍ଥଳୀରେ ଆତଙ୍କବାଦୀଙ୍କ ଦ୍ୱାରା ୫୦ ଜଣଙ୍କୁ ହତ୍ୟା ଏବଂ ଏହି ଘଟଣାର ଧାରାବିବରଣୀଫେସବୁକରେପ୍ରସାରଣପରେ ଆତଙ୍କବାଦ ପ୍ରୋତ୍ସାହନରେ ସୋସିଆଲ ମିଡ଼ିଆ ମଞ୍ଚଗୁଡିକର ଭୂମିକା ସଂପର୍କରେ ପ୍ରଶ୍ନବାଚ଼ୀସୃଷ୍ଟି କରିଥିଲା । ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରରେ ଡ଼ିଜିଟାଲ ମଞ୍ଚର କାର୍ଯ୍ୟକାରିତାରେ ଅଙ୍କୁଶ ଲଗାଇବା ନିମନ୍ତେ ଆଇନ ପ୍ରଣୟନ ନିମନ୍ତେ ପଦକ୍ଷେପ ନିଆଯାଉଥିବା ଅବସରରେ ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ପକ୍ଷରୁ ସ୍ୱାଗତ କରାଯାଇଛି । ଫେସବୁକର ଅଧ୍ୟକ୍ଷ ମାର୍କ ଜୁକେରବର୍ଗ ୨୦୧୯ ଏପ୍ରିଲ ମାସରେ ଏତାଦୃଶ ଆଇନ ପ୍ରଣୟନ ଧାରା ଡ଼ିଜିଟାଲମଞ୍ଚଗୁଡ଼ିକପରିଚ଼ାଳନାରେ ସହାୟକ ହେବ ବୋଲି ଦୃଢ଼ୋକ୍ତିପ୍ରକାଶ କରିଛନ୍ତି ।


 

‘ଦି ୱାଶିଂଟନ ପୋଷ୍ଟ’ରେ ଏକ ଅଗ୍ରଲେଖରେ ଜୁକେରବର୍ଗଡ଼ିଜିଟାଲ ମଞ୍ଚ ନିମନ୍ତେ ଉପଯୁକ୍ତ ଆଇନକାନୁନର ଅଭାବ ହେତୁ ପରିଚ଼ାଳନାଗତ ସମସ୍ୟା ଉପୁଜୁଥିବା ଦର୍ଶାଇଛନ୍ତି । ପ୍ରତ୍ୟେକ ରାଷ୍ଟ୍ରରେ ନିର୍ଦ୍ଧିଷ୍ଟ ନୀତିନିୟମ ନିର୍ଦ୍ଧାରିତ ହୋଇପାରିଲେ ସଂପୃକ୍ତରାଷ୍ଟ୍ରରେ ଡ଼ିଜିଟାଲମଞ୍ଚଗୁଡ଼ିକତଦ୍ଅନୁଯାୟୀକାର୍ଯ୍ୟକରିବା ସହଜପ୍ରଦ ହେବା ସେ ଆଶା କରୁଛନ୍ତି । ତାଙ୍କରି ବିଚ଼ାରରେ ମୁଖ୍ୟତଃ ଚ଼ାରିଗୋଟି ବିଷୟ ଯଥା :ଉପଭୋକ୍ତାଙ୍କ ଗୋପନୀୟତା, ‘ପ୍ରାଇଭେସି’, ତଥ୍ୟ ସରବରାହ ‘ଡ଼ାଟାପୋର୍ଟାବଲିଟି’, ଅହିତକର ପାଠ୍ୟ ଓ ଚ଼ିତ୍ର‘ହାରମଫୁଲକଣ୍ଟେଣ୍ଟ’ ଏବଂ ଅବାଧ ଗଣତାନ୍ତ୍ରିକ ନିର୍ବାଚ଼ନ‘ପ୍ରୋଟେକସନ ଅଫ ଇଲେକସନ୍ସ’ କ୍ଷେତ୍ରରେ ଆଇନ ପ୍ରଣୟନ ଆବଶ୍ୟକତା ରହିଛି । ୟୁରୋପୀୟ ଦେଶପୁଞ୍ଜଦ୍ୱାରା ଗୃହୀତ ‘ଡ଼ାଟାପ୍ରୋଟେକସନରେଗୁଲେସନ’ର ସେ ପ୍ରଶଂସା କରିଛନ୍ତି । ଅନ୍ୟମାନେ ସେହିଭଳି ଆଇନ ପ୍ରଣୟନ ଲାଗି ଉଦ୍ୟମ କରିବା ଉଚ଼ିତ ବୋଲି ଅଭିମତ ରଖିଛନ୍ତି ।


 

ସଂଯୁକ୍ତ ରାଷ୍ଟ୍ରପୁଞ୍ଜର ବ୍ୟାବସାୟିକ ଗବେଷଣା ସଂସ୍ଥା ‘ଏଡ଼ିଏନ୍ସନେଟ’ ପକ୍ଷରୁ ୨୦୧୯ ପ୍ରାରମ୍ଭରେ ଭାରତରେ ଡ଼ିଜିଟାଲ ମଞ୍ଚରେ ଅବସ୍ଥିତ ଉପଭୋକ୍ତାଙ୍କ ଗୋପନୀୟତା ସୁରକ୍ଷା ପ୍ରଶ୍ନ ନେଇ ଏକ ସର୍ବେକ୍ଷଣ ‘ସର୍ଭେ’ ଆୟୋଜନ କରାଯାଇଥିଲା । ଦେଶର ୧୫ ଗୋଟି ପ୍ରମୁଖ ସହରର ୧,୫୨୦ ଜଣ ନାଗରିକ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ୯୨ ପ୍ରତିଶତ ବ୍ୟକ୍ତିଗତ ଗୋପନୀୟତାକୁ ଗୁରୁତ୍ୱ ଦେଇଥିବା ସ୍ଥଳେ ୬୪ ପ୍ରତିଶତ ସୋସିଆଲ ମିଡ଼ିଆ ମଞ୍ଚରେ ନିଜେ ସାବଧାନତା ଗ୍ରହଣ କରୁଥିବା କହିଥିଲେ  । ‘ହ୍ୱାଟସ ଆପ’ ଭଳି ମେସେଞ୍ଜର ଆପ୍ଲିକେସନ ୮୭ ପ୍ରତିଶତ ଦୈନିକ ଏକାଧିକବାରବ୍ୟବହାର କରୁଥିବାସ୍ଥଳେ ୯୨ ପ୍ରତିଶତ ଏହି ଆପ୍ଲିକେସନର ଗୋପନୀୟତା ବିଭବ ‘ଏନକ୍ରାପ୍ଟସନ’ ପଦ୍ଧତିକୁ ସମର୍ଥନ ଜଣାଇଥିଲେ । ଉପଭୋକ୍ତାଙ୍କ ମଧ୍ୟରୁ ୮୬ ପ୍ରତିଶତ ସେମାନଙ୍କ ତଥ୍ୟ ଗ୍ରହୀତାଙ୍କ ବ୍ୟତୀତ ଅନ୍ୟମାନେ ପଢ଼ିବା ଓ ଦେଖିବାର ବିରୋଧ କରିଥିଲେ । ବ୍ୟକ୍ତିଗତ ଗୋପନୀୟତା ନାଗରିକଙ୍କ ମୌଳିକ ଅଧିକାର ବୋଲି ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ୮୨ ପ୍ରତିଶତ ସମର୍ଥନ କରୁଥିବା ସ୍ଥଳେ ‘ହ୍ୱାଟସ ଆପ’ ଭଳି ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକଉପଭୋକ୍ତାଙ୍କ ଗୋପନୀୟତା ସଂରକ୍ଷଣରେ ୭୮ ପ୍ରତିଶତ ଆଶାନୁରୂପ ଭାବେ କାର୍ଯ୍ୟ କରୁଥିବା ମତ ପ୍ରକାଶ କରିଥିଲେ ।


 

ଉପଭୋକ୍ତାଙ୍କ ମଧ୍ୟରେ କ୍ରମବର୍ଦ୍ଧମାନ ସଚେତନତା, ସୋସିଆଲ ମିଡ଼ିଆ ମଞ୍ଚ ପରିଚ଼ାଳକ ଓ ସରକାରଙ୍କ ଗୋପନୀୟତା ପ୍ରତି ଆଭିମୁଖ୍ୟ ତଥା କାରିଗରୀ କୌଶଳ ବିକାଶ ଏହି କ୍ଷେତ୍ରରେ ଏକ ନୂତନ ସମୀକରଣ ସୃଷ୍ଟି କରିବା ଆଶା କରାଯାଇପାରେ । 

        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୬ ଏପ୍ରିଲ ୨୦୧୯


ତଥ୍ୟ:



Privacy on top of urban India online user’s mind. Business Standard (Bhubaneswar Edition). April 18, 2019.


 

U.K. plans regulation of social media companies. The Hindu (Cuttack Edition). April 9, 2019.


 

UK floats ‘world’s toughest’ laws against Internet giants. The Times of India(Bhubaneswar Edition). April 9, 2019.


 

FB chief calls for ‘more active’ govt. role in Internet regulation. The Hindu (Cuttack Edition). April 1, 2019.

 ଡ଼ାଟା ପ୍ରାଇଭେସି

ଡ଼ାଟା ପ୍ରାଇଭେସିର ଓଡ଼ିଆ ଅନୁବାଦ ଇଣ୍ଟରନେଟରେ ‘ବ୍ୟକ୍ତିଗତ ତଥ୍ୟ ଗୋପନୀୟତା’ କୁହାଯାଇପାରେ । ତେବେ ସୂଚ଼ନା ବିଜ୍ଞାନ ଅନ୍ତର୍ଭୁକ୍ତ ନିର୍ଦ୍ଧିଷ୍ଟ କାର୍ଯ୍ୟଧାରା ଚ଼ିହ୍ନଟରେ କ୍ଳୀଷ୍ଠତା କାରଣରୁ ଓଡ଼ିଆ ଅନୁବାଦ ବଦଳରେ ଇଂଲିଶ ଶବ୍ଦାବଳୀ ବ୍ୟବହାର ଯୁକ୍ତିଯୁକ୍ତ ମନେ ହୁଏ। ଆମ ଦେଶର ପ୍ରମୁଖ ଭାରତୀୟ ଭାଷା ହିନ୍ଦିରେ ପ୍ରଯୁକ୍ତି ବିଜ୍ଞାନ ସଂପର୍କୀତ ଇଂଲିଶ ଶବ୍ଦାବଳୀ ବ୍ୟବହାର ଲୋକପ୍ରିୟ ସାବ୍ୟସ୍ତ ହୋଇଥିବା ଧାରା ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ପ୍ରତିବିମ୍ୱିତ ହେଉଥିବା ଦେଖାଯାଏ ।


 

‘ଡ଼ାଟା ପ୍ରାଇଭେସି’ ମୁଖ୍ୟତଃ ଇଣ୍ଟରନେଟଭିତ୍ତିକ ତଥ୍ୟ ଗୋପନୀୟତାକୁ ସୂଚ଼ିତ କରିଥାଏ । ଭାରତରେ ଇଣ୍ଟରନେଟ ବ୍ୟବହାର ବିକଶିତ ଦେଶଗୁଡ଼ିକ ତୁଳନାରେ ପଛୁଆ ରହିଥିବା ତଥା ଆଇନ ସଂସ୍କାରଧାରା ମନ୍ଥର ଥିବା ହେତୁ ୨୦୧୮ ସୁଦ୍ଧା ଏଠାରେ ଡ଼ାଟା ପ୍ରାଇଭେସି ଆଇନ ପ୍ରଣୟନ ହୋଇପାରି ନାହିଁ ।‘ଇନଫରମେସନ ଟେକନୋଲଜି ଆକ୍ଟ ୨୦୦୦’ ସାଙ୍ଗକୁ ସୂଚ଼ନା, ତଥ୍ୟ ଓ ସତ୍ତ୍ୱ ବ୍ୟବହାର ସଂପର୍କୀତ ପ୍ରାୟ ୫୦ ସରିକି ପ୍ରଚଳିତ ଆଇନରର ପରିଧିରେ ଇଣ୍ଟରନେଟରେ ବ୍ୟକ୍ତିଗତ ତଥ୍ୟ ଗୋପନୀୟତା ପରିଚ଼ାଳିତ ।


 

ତେବେ ପରିବର୍ତ୍ତିତ ପରିବେଶରେ ଦେଶରେ ୨୦୧୮ ମଧ୍ୟଭାଗ ସୁଦ୍ଧା ପ୍ରାୟ ୫୦ କୋଟି ଇଣ୍ଟରନେଟ ସଂଯୁକ୍ତି ତଥା ସୋସିଆଲ ମିଡ଼ିଆ ମଞ୍ଚ ‘ଫେସବୁକ’ରେ ୨୭ କୋଟି, ମେସେଞ୍ଜର ମଞ୍ଚ ‘ହ୍ୱାଟସଅପ’ରେ ୨୦ କୋଟି ଓ ବୃତ୍ତିଭିତ୍ତିକ ମଞ୍ଚ ‘ଲିଙ୍କଡ଼-ଇନ’ରେ ୫ କୋଟି ଉପଭୋକ୍ତାଙ୍କ ଉପସ୍ଥିତିଭଳି ପରିସଂଖ୍ୟାନ ଭାରତୀୟ ଜନଜୀବନରେ ଏକ ନୂତନ ସମୀକରଣ ସୃଷ୍ଟି କରିଛି ।


 

ଆନ୍ତର୍ଜାତିକ ପ୍ରବାହ ସହ ତାଳ ଦେଇ ଇଣ୍ଟରନେଟ ମଞ୍ଚରେ ଉପସ୍ଥିତି ନିମନ୍ତେ ୨୯ କୋଟି ସ୍ମାର୍ଟଫୋନ ବ୍ୟବହାର ଏବଂ ପ୍ରତି ଭାରତୀୟ ଉପଭୋକ୍ତା ଦେଢ଼ ଘଣ୍ଟାରୁ ଚ଼ାରିଘଣ୍ଟା ଯାଏଁ ସମୟ ଇଣ୍ଟରନେଟରେ ବିନିଯୋଗ କରୁଥିବା ଅବସରରେ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ବିଭିନ୍ନ ୱେବସାଇଟ ଓ ମୋବାଇଲ ଆପ୍ଲିକେସନକୁ ଅବିରତ ଚ଼ାଲାଣ ଜାରୀ ରହିଛି ।ଫଳରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ଓ ସୁରକ୍ଷା ଏକ ସମସ୍ୟା ରୂପେ ମୁଣ୍ଡ ଟେକିଛି ।


 

ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ଲାଗି ଆଇନ ପ୍ରଣୟନ ଅଭିପ୍ରାୟରେ କେନ୍ଦ୍ର ସରକାର ପ୍ରାକ୍ତନ ସୁପ୍ରିମ କୋର୍ଟ ନ୍ୟାୟାଧୀସ ବିଏନ ଶ୍ରୀକୃଷ୍ଣଙ୍କ ଅଧ୍ୟକ୍ଷତାରେ ଏକ କମିସନ ଗଠନ କରିଥିଲେ । ଇଣ୍ଟରନେଟ ମଞ୍ଚ ବ୍ୟବହାର ସଂପର୍କୀତ ଦେଶ ବିଦେଶର ଆଇନକାନୁନ ତର୍ଜମାକରି କମିସନ ଏକ ରିପୋର୍ଟ ଓ ଡ୍ରାଫଟ ବିଲ ପ୍ରସ୍ତୁତ କରି ୨୭ ଜୁଲାଇ ୨୦୧୮ରେ ସରକାରଙ୍କୁ ପ୍ରଦାନ କରିଛନ୍ତି ।


 

ଶ୍ରୀକୃଷ୍ଣ କମିସନଙ୍କ ରିପୋର୍ଟ ପାଇବାପରେ କେନ୍ଦ୍ର ସରକାର ଏହାର ସାର୍ବଜନୀନ ଅନୁଶୀଳନ ‘କନସଲଟେସନ’ ଆୟୋଜନ କରିବା ଘୋଷଣା କରିଛନ୍ତି । ପ୍ରସ୍ତାବିତ ‘ପେରସନାଲ ଡ଼ାଟା ପ୍ରୋଟେକସନ ବିଲ ୨୦୧୮’ରେ ମୁଖ୍ୟତଃ ପାଞ୍ଚଗୋଟି ବିଷୟକୁ ଗୁରୁତ୍ୱ ପ୍ରଦାନ କରାଯାଇଛି, (୧) ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହରେ ଉପଭୋକ୍ତାଙ୍କ ସମ୍ମତ୍ତି, (୨) ବ୍ୟାବସାୟିକ ଓ ସରକାରୀ ସଂସ୍ଥା ଉଭୟଙ୍କ ନିମନ୍ତେ ଆଚ଼ରଣ ସଂହିତା ପ୍ରଣୟନ, (୩) ଦେଶ ମଧ୍ୟରେ ସର୍ଭର ସ୍ଥାପନ କରି ତଥ୍ୟ ଗଚ୍ଛିତ ରଖିବା ବାଧ୍ୟବାଧକତା, (୪) ତଥ୍ୟ ବ୍ୟବହାର ତନଖିବା ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତି ଓ (୫) ତଥ୍ୟ କାରବାରରେ ଅସାଧୁ ଆଚ଼ରଣ ନିମନ୍ତେ ଦଣ୍ଡବିଧାନ ।


 

ଇଣ୍ଟରନେଟ ମଞ୍ଚରେ ବିଭିନ୍ନ ସୁଯୋଗସୁବିଧା ବ୍ୟବହାର ନିମନ୍ତେ ଉପଭୋକ୍ତାଙ୍କଠାରୁ ସମ୍ମତ୍ତିଗ୍ରହଣରେ ପାରମ୍ପରିକଭାବେ ଅସ୍ପଷ୍ଟତା ଦେଖିବାକୁ ମିଳିଥାଏ । ଏହି କାରଣରୁ ପ୍ରାୟତଃ ଉପଭୋକ୍ତାମାନେ ସର୍ତ୍ତାବଳୀ ସମୀକ୍ଷା ନକରି ସମ୍ମତ୍ତି ପ୍ରଦାନ କରିଦେଇଥାନ୍ତି । ପରିଣତିରେ ଉପଭୋକ୍ତାଙ୍କ ସ୍ୱାର୍ଥ ସଂରକ୍ଷିତ ହୋଇପାରେ ନାହିଁ । ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ନିର୍ଦ୍ଦିଷ୍ଟ ବିଷୟ ନିମନ୍ତେ ଉପଭୋକ୍ତାଙ୍କ ସମ୍ମତ୍ତି ଗ୍ରହଣ ନିମନ୍ତେ ଗୁରୁତ୍ୱ ଦେବା ନିମନ୍ତେ ପ୍ରସ୍ତାବିତ ବିଲରେ କୁହାଯାଇଛି ।


 

ନାଗରିକଙ୍କଠାରୁ ସଂଗୃହୀତ ତଥ୍ୟାବଳୀ ଘରୋଇ ଓ ସରକାରୀ ସଂସ୍ଥାମାନ ବ୍ୟବହାର କରିବା ନେଇ ପର୍ଯ୍ୟାପ୍ତ ନୀତିନିୟମ ନାହିଁ । ଫଳରେ ଗୋପନୀୟତା ଉଲଂଘନ ହେଉଛି । ଏହିଭଳି ସମସ୍ୟାର ସମାଧାନ ଲାଗି ଆଚ଼ରଣ ସଂହିତା ପ୍ରଣୟନ ଲାଗି ବିଲରେ ଉଲ୍ଲେଖ ରହିଛି ।


 

ଇଣ୍ଟରନେଟଭିତ୍ତିକ ମଞ୍ଚଗୁଡ଼ିକ ଆନ୍ତର୍ଜାତିକସ୍ତରରେ କାର୍ଯ୍ୟକରୁଥିବା ଅବସରରେ ଦେଶର ଉପଭୋକ୍ତାମାନଙ୍କ ସମସ୍ତ ତଥ୍ୟ ବିଦେଶରେ ସ୍ଥାପିତ କମ୍ପ୍ୟୁଟର ସର୍ଭରମାନଙ୍କରେ ଗଚ୍ଛିତ ରଖୁଛନ୍ତି । ଏହାଦ୍ୱାରା ଆବଶ୍ୟକସ୍ଥଳେ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଉପଭୋକ୍ତାମାନଙ୍କ ସଂପର୍କୀତ ତଥ୍ୟ ତନଖିର ଅଧିକାରଖର୍ବହେଉଛି। ଏଭଳି ତଥ୍ୟାବଳୀର ସୁରକ୍ଷା ଓ ଦୁରୋପଯୋଗକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଦେଶୀୟ ଓ ବୈଦେଶିକ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ଭାରତରୁ ସଂଗୃହୀତ ଉପଭୋକ୍ତାଙ୍କ ତଥ୍ୟ ଦେଶ ମଧ୍ୟରେ ସର୍ଭର ସ୍ଥାପନ କରି ଗଚ୍ଛିତ ରଖିବାଲାଗି ବିଲରେ ଗୁରୁତ୍ୱ ଦିଆଯାଇଛି ।


 

ତଥ୍ୟ ସଂଗ୍ରହ ଓ ବ୍ୟବହାର ନିମନ୍ତେ ସ୍ଥାନୀୟ ନୀତିନିୟମ ପାଳନ ସମୀକ୍ଷା କରିବା ତଥା ଅନ୍ୟାନ୍ୟ ବ୍ୟାବହାରିକ ପ୍ରଣଳୀରେ ଆଇନକାନୁନ ଉପଯୋଗ ତନଖିବା ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତି ନିମନ୍ତେ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପିତ କରାଯାଇଛି ।


 

ଶେଷରେ ପ୍ରସ୍ତାବିତ ନୀତିନିୟମ ଉଲଂଘନ ନିମନ୍ତେ ଦଣ୍ଡବିଧାନ ପ୍ରାବଧାନ କରିବା ନିମନ୍ତେ ମଧ୍ୟ ଯୁକ୍ତି ବଢ଼ାଯାଇଛି ।ବିଲରେ କୁହାଯାଇଛି ଯେ ବ୍ୟାବସାୟିକ ପ୍ରତିଷ୍ଠାନ ଓ ସରକାରଙ୍କ ପକ୍ଷରୁ ବିଭିନ୍ନ ସେବା ପ୍ରଦାନ ନିମନ୍ତେ ନାଗରିକଙ୍କଠାରୁ ସଂଗୃହୀତ ସମ୍ମତ୍ତିପ୍ରାପ୍ତ ବ୍ୟକ୍ତିଗତ ଡ଼ାଟା ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଶେଷରେ ଡ଼ିଲିଟ କରିଦେବା ଆବଶ୍ୟକ । ସେଭଳି ଡ଼ାଟା ଗଚ୍ଛିତ ରଖି ଅନ୍ୟ ବିଷୟରେ ବ୍ୟବହାର ନିଷିଦ୍ଧ ହେବା ଉଚ଼ିତ ।


 

ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ବହୁଳ ବ୍ୟବହାର ପରିବେଶରେ ଏଭଳି ପ୍ରସ୍ତାବର ସୁଦୂରପ୍ରସାରୀ ପ୍ରଭାବ ଅନୁମାନ କରାଯାଇପାରେ । ପରିବର୍ତ୍ତିତ ପରିସ୍ଥିତିରେ ସାଧାରଣ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ଗଚ୍ଛିତ ରଖାଯାଇ ତାହାର ଉପଯୋଗରେ ସାର୍ବଜନୀନ ସ୍ୱାର୍ଥବିରୋଧି ପଦକ୍ଷେପମାନ ସଂଭବପର । ଏହି କାରଣରୁ ଡ଼ାଟା ସଂଗ୍ରହ ଓ ବ୍ୟବହାର ବ୍ୟାପକ ସତର୍କତା ଆବଶ୍ୟକ କରିଥାଏ ।


 

ତଥ୍ୟ ସଂଗ୍ରହ ଓ ବ୍ୟବହାର ସଂପର୍କରେ ସରକାରଙ୍କ ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତି ତଥା ଡ଼ାଟା ବ୍ୟବହାର ସମୀକ୍ଷା, ଦଣ୍ଡବିଧାନ ଡ଼ାଟା ପ୍ରାଇଭେସିରେ ସୁରକ୍ଷା ଲାଗି ଅଭିପ୍ରେତ । ଏହି ବ୍ୟବସ୍ଥାର ପ୍ରଚ଼ଳନ ଫଳରେ ସାଧାରଣ ନାଗରିକଙ୍କ ଅଭିଯୋଗ ଉପସ୍ଥାପନ ଓ କ୍ଷତିପୂରଣ ଦାବୀ ବିଚ଼ାରଣା ସମ୍ଭବପର ହୋଇପାରିବ ।


  

ଭାରତର ଡ଼ାଟା ସ୍ଥାନୀୟକରଣ ପଦକ୍ଷେପକୁ ବୈଦେଶିକ ଇଣ୍ଟରନେଟଭିତ୍ତିକ କମ୍ପାନୀଗୁଡ଼ିକ ସମାଲୋଚ଼ନା କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ଫେସବୁକ, ମାଷ୍ଟରକାର୍ଡ଼, ଭିସା, ଆମେରିକାନ ଏକ୍ସପ୍ରେସ, ପେ-ପାଲ, ଆମେଜନ, ମାଇକ୍ରୋସଫ୍ଟ ଭଳି କମ୍ପାନୀମାନଙ୍କ ଦ୍ୱାରା ପରିଚ଼ାଳିତ ବିଭିନ୍ନ ବ୍ୟବସାୟରେ ଆକର୍ଷଣୀୟ କାରବାର ଚ଼ାଲିଥିବାସ୍ଥଳେ ପ୍ରସ୍ତାବିତ ନୀତିନିୟମ ସେମାନଙ୍କ ବ୍ୟବସାୟକୁ ପ୍ରଭାବିତ କରିବ ବୋଲି ଅଭିଯୋଗ କରୁଛନ୍ତି ।ଅଧିକାଂଶ ଆନ୍ତର୍ଜାତିକ ବ୍ୟାବସାୟିକ ପ୍ରତିଷ୍ଠାନର ଭାରତ ମଧ୍ୟରେ ଡ଼ାଟା ଗଚ୍ଛିତ ରଖିବା ସୁଯୋଗ ସୁବିଧା ନାହିଁ । ଡ଼ାଟା ସ୍ଥାନୀୟକରଣ ତଥା ଅନ୍ତତଃପକ୍ଷେ ଭାରତରେ ସର୍ଭର ସ୍ଥାପନ କରି ସମସ୍ତ ଡ଼ାଟା ଗଚ୍ଛିତ ରଖିବା ନିମନ୍ତେ ସେମାନେ ଅଧିକ ଖର୍ଚ୍ଚାନ୍ତ ହେବା ସ୍ୱାଭାବିକ । ଏହା ଫଳରେ ଅଭୀଷ୍ଟବ୍ୟାବସାୟିକ ସଂପ୍ରସାରଣ ସଂଭବପର ହୋଇପାରିବ ନାହିଁ ବୋଲି ଯୁକ୍ତି ବାଢୁଛନ୍ତି ।


 

ତେବେ ଡ଼ାଟା ସୁରକ୍ଷା ଏବଂ ଏଥିଲାଗି ଡ଼ାଟା ସ୍ଥାନୀୟକରଣ ଆନ୍ତର୍ଜାତିକସ୍ତରରେ ବିଭିନ୍ନ ରାଷ୍ଟ୍ର ଅନୁସରଣ କରୁଥିବା ଉଦାହରଣ ଦେଇ ଦର୍ଶାଯାଉଛି ଯେ ଏହାଫଳରେ ଦେଶର ବିଭିନ୍ନ ବିଭାଗ ପକ୍ଷରୁ ଅନୁସନ୍ଧାନ ନିମନ୍ତେ ପ୍ରକୃଷ୍ଟ କ୍ଷେତ୍ର ପ୍ରସ୍ତୁତ ହୋଇପାରିବ । ଡ଼ାଟା ସ୍ଥାନୀୟକରଣ ଦେଶରେ ଅର୍ଥନୀତି ଓ ସୁରକ୍ଷାରେ ସୁଦୂରପ୍ରସାରୀ ସହଯୋଗ କରିପାରିବ ।


 

ପ୍ରଯୁକ୍ତି ବିଜ୍ଞାନରେ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଉପଯୋଗରେ ‘ଜିନ ପ୍ରୋଫାଇଲିଂ’ ଭଳି ଶୀର୍ଷ ପ୍ରତିଷେଧକ ଚ଼ିକିତ୍ସାଗତ ଅନୁଶୀଳନ ବିଦେଶରେ ହିଁ ସମ୍ଭବପରଥିବା ହେତୁ ଏଭଳି କ୍ଷେତ୍ରରେ ଡ଼ାଟା ସ୍ଥାନୀୟକରଣ ଅନ୍ତରାୟ ସୃଷ୍ଟି କରିବା ଆଶଙ୍କା କରାଯାଉଛି । ସେହିପରି କ୍ୟାନସର ସମେତ ବିଭିନ୍ନ ଜଟିଳ ବ୍ୟାଧି ଚ଼ିକିତ୍ସାଲାଗି କୃତ୍ରିମ ବୁଦ୍ଧିମତ୍ତା ପରିଧିରେ ନିଦାନର ବ୍ୟବସ୍ଥାର ସମ୍ଭାବ୍ୟ ସୁଯୋଗସୁବିଧା ଦେଶ ମଧ୍ୟରେ ମିଳି ନପାରେ ।ଆବଶ୍ୟ ଏଭଳି ବିଷୟବର୍ଗ ନିମନ୍ତେ ସ୍ୱତନ୍ତ୍ର ନୀତିନିୟମ ପ୍ରାବଧାନ ଯୁକ୍ତିଯୁକ୍ତ ମନେହୁଏ ।


 

ଭାରତର କ୍ରମବର୍ଦ୍ଧିଷ୍ଣୁ ଇଣ୍ଟରନେଟ ମଞ୍ଚରେ ପ୍ରସ୍ତାବିତ ଡ଼ାଟା ପ୍ରାଇଭେସି ସମୟର ଆହ୍ୱାନ । ଏଭଳି ନୂତନ ପରିବେଶରେ ଯେତିକି ସୁବିଧାସୁଯୋଗ ଉପଲବ୍ଧ ହେଉଛି ସେହି ପରିମାଣରେ ଦୁରୋପଯୋଗ ମଧ୍ୟ ଆଶା କରାଯାଇପାରେ ।ସୋସିଆଲ ମିଡ଼ିଆ ଓ ମେସେଞ୍ଜର ଆପ ମାଧ୍ୟମରେ ଗୁଜବ ପ୍ରସାରଠାରୁ ଆରମ୍ଭ କରି ବ୍ୟାଙ୍କ ଏକଉଣ୍ଟ ଜାଲିଆତି ଟେଲିଫୋନ ଯୋଗେ ଧମକଚମକ ଯାଏଁ ବହୁ ସାମାଜିକ ସମସ୍ୟାର ସମାଧାନ ଲାଗି ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା ଅପରିହାର୍ଯ୍ୟ ହୋଇପଡ଼ିଛି । ଏଦିଗରେ ଆଇନ ପ୍ରଣୟନ ଜରୁରୀ ।  

        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଅଗଷ୍ଟ ୨୦୧


ତଥ୍ୟ:



Kak, Amba. The Sobering Reality.The Times of India (Bhubaneswar Edition). July 31, 2018.


 

Jain, Mayank. ‘Criminal proceedings for data privacy violation too harsh’.The Business Standard (Bhubaneswar Edition). August 1, 2018.


 

US tech giants to fight data localization.The Times of India.(Bhubaneswar Edition). August 20, 2018.

ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ବିଲ ୨୦୧୯

‘ପ୍ରସ୍ତାବିତ ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ବିଲ ୨୦୧୯’ ଡ଼ିସେମ୍ୱର ୧୨ ତାରିଖରେ ଆଲୋଚ଼ନା ନିମନ୍ତେ ଲୋକସଭାରେ ଆଗତ ହେବା ପରେ ତାହାର ସମୀକ୍ଷା ନିମନ୍ତେ ଲୋକସଭା ଓ ରାଜ୍ୟସଭାର ମନୋନୀତ ଯୁଗ୍ମ କମିଟିକୁ ପ୍ରେରଣ କରାଯାଇଛି । ଲୋକସଭାର ୨୦ ଜଣ ଓ ରାଜ୍ୟସଭାର ୧୦ ଜଣ ମନୋନୀତ ସାଂସଦଙ୍କୁ ନେଇ ଏହି କମିଟି ଗଠିତ ହୋଇଛି ଏବଂ ଓଡ଼ିଶାର ରାଜ୍ୟସଭା ସାଂସଦ ଭତ୍ତୃହରି ମହତାବ ସ୍ଥାନ ପାଇଛନ୍ତି । ଚିଠା ବିଲକୁ ୪ ଡ଼ିସେମ୍ୱରରେ କ୍ୟାବିନେଟ ସ୍ୱୀକୃତି ମିଳିଥିଲା । କମିଟି ଲୋକସଭାରେ ଆଗତ ବିଲକୁ ତର୍ଜମା କରି ସୁପାରିଶ ୨୦୨୦ ଜାନୁୟାରୀ ଶେଷ ସପ୍ତାହରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ଶେଷ ହେବା ପୂର୍ବରୁ ପ୍ରଦାନ କରିବା ନିମନ୍ତେ କୁହାଯାଇଛି ।


 

ଭାରତରେ ଏପର୍ଯ୍ୟନ୍ତ ଗୋପନୀୟତା ଆଇନ ପ୍ରଣୀତ ହୋଇପାରି ନାହିଁ । ଏହି କାରଣରୁ ‘ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ବିଲ ୨୦୧୯’ ଗୃହୀତ ହେଲେ ଦେଶର ପ୍ରଥମ ଗୋପନୀୟତା ଆଇନ ରୂପେ ବିବେଚ଼ିତ ହେବ । ବିଂଶ ଶତାଦ୍ଦୀର ଶେଷ ଦଶକରୁ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଉଦ୍ଭାବନମାନ ସାମାଜିକ କ୍ଷେତ୍ରରେ ଦୃତ ଗତିରେ ବିନିଯୋଗ ହେବାପରେ ବ୍ୟକ୍ତିଗତ ଗୋପନୀୟତାକୁ ନେଇ ବିତର୍କ ଆରମ୍ଭ ହୋଇଥିଲା । ବ୍ୟାବସାୟିକ, ପ୍ରଶାସନିକ ତଥା ଅପରାଧିକସ୍ତରରେ ଜନସାଧାରଣଙ୍କ ଆଗୋଚ଼ରରେ ଅତ୍ୟାଧୁନିକ ବୈଷୟିକ କୌଶଳ ମାଧ୍ୟମରେ ସଂଗୃହୀତ ବ୍ୟକ୍ତିଗତ ତଥ୍ୟାବଳୀର ଦୁରୋପଯୋଗ କରାଯାଇ ଅସୁରକ୍ଷିତ ପରିବେଶ ସୃଷ୍ଟିପରେ ଏଥିରେ ଅଙ୍କୁଶ ଲଗାଇବା ନିମନ୍ତେ ଆଇନ ପ୍ରଣୟନର ଆବଶ୍ୟକତା ଅନୁଭୂତ ହୋଇଥିଲା ।


 

ସୁପ୍ରିମକୋର୍ଟ ପକ୍ଷରୁ ୨୦୧୭ରେ ଗୋପନୀୟତା ଅଧିକାର ବ୍ୟକ୍ତିଗତସ୍ତରରେ ନାଗରିକଙ୍କ ମୌଳିକ ଅଧିକାର ପର୍ଯ୍ୟାୟଭୁକ୍ତ ବୋଲି ରାୟ ଦେଇଥିଲେ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ବି.ଏନ. ଶ୍ରୀକୃଷ୍ଣଙ୍କ ଅଧ୍ୟକ୍ଷତାରେ ଏକ କମିଶନ କେନ୍ଦ୍ର ସରକାର ଗଠନ କରିଥିଲେ ଏବଂ ଦୀର୍ଘ ୧୮ ମାସର ଅଧ୍ୟବସାୟରେ ପ୍ରସ୍ତୁତ ରିପୋର୍ଟ ୨୦୧୮ ଜୁଲାଇ ମାସରେ କମିସନ ଉପସ୍ଥାପିତ କରିଥିଲେ । ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଅତ୍ୟାଧୁନିକ ଉଦ୍ଭାବନଭିତ୍ତିକ ହୋଇଥିବାସ୍ଥଳେ ଏକ ପକ୍ଷରେ ଇ-କର୍ମସ ଓ ସୋସିଆଲ ମିଡ଼ିଆର ମଞ୍ଚଗୁଡ଼ିକ ଅତି କମ ସମୟ ମଧ୍ୟରେ ଲୋକାଦୃତ ହୋଇପାରିଥିବା ତଥା ଅପରପକ୍ଷରେ ପ୍ରଶାସନ ପକ୍ଷରୁ ଆଧାର, ପାନ, ଡ୍ରାଇଭିଂଲାଇସେନ୍ସ ଭଳି ପରିଚୟପତ୍ର ପ୍ରଦାନ ନିମନ୍ତେ ଦେଶର ନାଗରିକଙ୍କ ବହୁବିଧ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିଥାନ୍ତି । ଏହିଭଳି ତଥ୍ୟାବଳୀ ଅନଲାଇନରେ ଉପଲବ୍ଧ ଥିବା ଏବଂ ଚଞ୍ଚକତା କରି ଦୁରୁପଯୋଗରପ୍ରଶସ୍ତକ୍ଷେତ୍ର ଉପଲବ୍ଧ ଥିଲେହେଁ ପ୍ରତିରୋଧ ନିମନ୍ତେ ଦେଶରେ ପ୍ରଣୀତ ଆଇନାବଳୀ ସ୍ଥଳବିଶେଷରେ ସମର୍ଥହେଉନଥିବା ହେତୁ କମିସନଙ୍କ ପକ୍ଷରୁ ୟୁରୋପ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଇତ୍ୟାଦି ରାଷ୍ଟ୍ରର ଗୋପନୀୟତା ଆଇନାବଳୀ ଅନୁଧ୍ୟାନ କରାଯାଇ ଭାରତୀୟ ପରିବେଶରେ ସୁହାଇଲା ଭଳି ଚିଠା ଆଇନ ପ୍ରସ୍ତୁତ କରାଯାଇଥିଲା ।


 

ଲୋକସଭାରେ ଆଗତ ‘ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ବିଲ ୨୦୧୯’ ସର୍ବସାଧାରଣରେ ପ୍ରକାଶିତ ହୋଇନାହିଁ ।ପ୍ରସ୍ତାବିତ ବିଲ ସଂପର୍କରେ ବିଭିନ୍ନ ସୂତ୍ରରୁ ପ୍ରତିକ୍ରିୟା ଉଦ୍ଧାର କରାଯାଇ ଗଣମାଧ୍ୟମରେ ଚର୍ଚ୍ଚିତ ହେଉଛି ଯେ ଏଥିରେ ନାଗରିକଙ୍କଠାରୁ ସଂଗୃହୀତ ଅନଲାଇନରେ ଉପଲବ୍ଧ ବ୍ୟକ୍ତିଗତ ଡ଼ାଟାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି –ସମ୍ବେଦନଶୀଳ‘ସେନସିଟିଉଭ’ ଓ ତାତ୍ପର୍ଯ୍ୟପୂର୍ଣ୍ଣ ‘କ୍ରିଟିକାଲ’ । ବ୍ୟକ୍ତିଗତ ସମ୍ବେଦନଶୀଳ ଡ଼ାଟାରେ ପାସୱାର୍ଡ, ବାୟୋମେର୍ଟିକ, ଅର୍ଥନୀତିକ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଇତ୍ୟାଦି ଅନଲାଇନ ତଥ୍ୟ ଅନ୍ତର୍ଭୁକ୍ତ ହେବ । ଅପରପକ୍ଷରେ କେଉଁଭଳି ତଥ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ବିବେଚିତ ହେବ ତାହା ସରକାରୀସ୍ତରରେ ଆବଶ୍ୟକତା ଅନୁଯାୟୀ ସ୍ଥିର କରାଯିବା ପ୍ରାବଧାନ ରହିଛି ।


 

ତଥ୍ୟ ସଂଗ୍ରହ ଅବସରରେ ଘରୋଇ ସଂସ୍ଥାଗୁଡ଼ିକ ଏହାର ଉଦ୍ଦେଶ୍ୟ ଓ ଉପଯୋଗିତା ସଂପର୍କରେ ପ୍ରାଞ୍ଜଳଭାବେ ବୁଝାଇବା ଏବଂ ପ୍ରତ୍ୟେକ ନାଗରିକଙ୍କ ସମ୍ମତ୍ତି ହାସଲ କରିସାରିବା ପରେ ହିଁ ତଥ୍ୟ ସଂବଳିତ ବିବରଣୀ ଲିପିବଦ୍ଧ କରିବେ । ଅପରପକ୍ଷେ ସରକାରଙ୍କୁ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ବିଭିନ୍ନ ଧରଣର ଡ଼ାଟା ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିନା ଅନୁମତିରେ ସଂଗ୍ରହ, ଗଚ୍ଛିତ ଓ ଉପଯୋଗ କରିବା ଅଧିକାର ଉପଭୋଗର କ୍ଷମତା ପ୍ରଦାନ କରାଯାଇଥିବା କୁହାଯାଉଛି ।


 

ଘରୋଇ ସଂସ୍ଥାମାନେ ଭାରତୀୟ ନାଗରିକଙ୍କଠାରୁ ସଂଗୃହୀତ ଡ଼ାଟାର ମୂଳ ବିବରଣୀ କିମ୍ୱା ନକଲ ‘ମିରର’ ଦେଶ ମଧ୍ୟରେ ନିଜ ପକ୍ଷରୁ ସର୍ଭର ସ୍ଥାପନ କରି ଗଚ୍ଛିତ ରଖିବାକୁ ବାଧ୍ୟ । ଡ଼ାଟା ସୁରକ୍ଷାର ତତ୍ତ୍ୱାବଧାନ କରିବା ନିମନ୍ତେ ଡ଼ାଟା ସୁରକ୍ଷା ପ୍ରାଧିକରଣ ଗଠନର ପ୍ରସ୍ତାବ ବିଲରେ ରହିଛି । ଡ଼ାଟା ସୁରକ୍ଷା ଆଇନ ଉଲଂଘନ କଲେ ପନ୍ଦର କୋଟି ଟଙ୍କା ଯାଏଁ ଜରିମାନା ଧାର୍ଯ୍ୟ କରାଯାଇଛି ।


 

‘ଲୋକସଭାରେ ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ବିଲ ୨୦୧୯’ ଆଗତ କରାଯିବାଠାରୁ ଏଥି ନେଇ ବିବାଦ ସୂତ୍ରପାତ ହୋଇଛି । ପ୍ରଥମତଃ ଏହି ବିଲର ବିଭିନ୍ନ ଦିଗ ତର୍ଜମା ନିମନ୍ତେ ଏହାକୁ ସର୍ବସାଧାରଣରେ ପ୍ରକାଶ ଲାଗି ବିରୋଧୀ ଦଳମାନେ ଦାବୀ କରିଥିଲେ । ବିଲଟିକୁ ସମୀକ୍ଷାଲାଗି ସାଂସଦୀୟ ଯୁଗ୍ମ ସମିତି ଗଠନ ବଦଳରେ ପାର୍ଲାମେଣ୍ଟରୀ ଇନଫରମେସନ ଟେକନୋଲଜି ଷ୍ଟାଣ୍ଡିଂ କମିଟିକୁ କାହିଁକି ଅଣଦେଖା କରାଗଲା ବୋଲି କଂଗ୍ରେସ ସାଂସଦମାନେ ପ୍ରଶ୍ନ କରିଥିଲେ । କଂଗ୍ରେସ ସାଂସଦ ଶଶି ଥରୁର ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷରୂପେ ଅବସ୍ଥାପିତ ରହିଛନ୍ତି ।


 

ଦ୍ୱିତୀୟତଃ ପ୍ରସ୍ତାବିତ ଆଇନର ଉପଯୋଗିତା ତଦାରଖ କରିବା ନିମନ୍ତେ ଡ଼ାଟା ସୁରକ୍ଷା ପ୍ରାଧିକରଣର ସଦସ୍ୟମାନଙ୍କୁ ସରକାରଙ୍କ ପକ୍ଷରୁ ନିଯୁକ୍ତି ସମାଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଏତଦ୍ୱାରା ପ୍ରାଧିକରଣର କାର୍ଯ୍ୟଦକ୍ଷତା ହ୍ରାସ ପାଇବ ଏବଂ ସରକାରକୁ ସୁହାଇଲାଭଳି ପଦକ୍ଷେପ ଗୃହୀତ ହେବା ନିଶ୍ଚିତ ବୋଲି ଯୁକ୍ତି ବଢ଼ାଯାଉଛି । ପ୍ରାଧିକରଣ ହାତରେ ଡ଼ାଟା ସୁରକ୍ଷା ସଂପର୍କୀତ ନୀତି ନିର୍ଦ୍ଧାରଣ, ଉପଯୋଗ ଓ ଦଣ୍ଡବିଧାନର କ୍ଷମତା ଅର୍ପିତ ହେଉଥିବା ତଥା ଡ଼ାଟା ବ୍ୟବହାରରେ ପ୍ରଶାସନ ଅନ୍ତର୍ଭୁକ୍ତ ରହୁଥିବା ହେତୁ ସଦସ୍ୟ ମନୋନୟନ ପ୍ରକ୍ରିୟାରେ ବେସରକାରୀ ସଦସ୍ୟଙ୍କୁ ପ୍ରାଧାନ୍ୟ ଦିଆଯିବା ନିମନ୍ତେ ଦାବୀ ହେଉଛି । ଏପରିକି ଚିଠା ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ବିଲ ପ୍ରସ୍ତୁତ କରିଥିବା ସମିତିର ଅଧ୍ୟକ୍ଷ ବିଚାରପତି ଶ୍ରୀକୃଷ୍ଣ ମଧ୍ୟ ଗଣମାଧ୍ୟମରେ ପ୍ରସ୍ତାବିତ କାର୍ଯ୍ୟଧାରାକୁ ବିରୋଧ କରିଛନ୍ତି । ବିଲ ଆଇନରେ ପରିଣତ ହେଲେ ଏଥି ନେଇ ସୁପ୍ରିମକୋର୍ଟରେ ଅପିଲ କରିହେବ ବୋଲି ଟୀପ୍ପଣି ଦେଇଛନ୍ତି ।


 

ସମସ୍ତ ବିତର୍କ ସତ୍ତ୍ୱେ ଭାରତୀୟ ନାଗରିକ ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ନିମନ୍ତେ ଯେ ଅବିଳମ୍ୱେ ଆଇନ ପ୍ରଣୟନ ଆବଶ୍ୟକତା ରହିଛି ଏହା ସମସ୍ତେ ଉପଲବ୍ଧ କରୁଛନ୍ତି । ସୁପ୍ରିମକୋର୍ଟ ଏଭଳି ଆଇନ ପ୍ରଣୟନର ଆବଶ୍ୟକତା ନେଇ ରାୟ ପ୍ରଦାନର ଦୁଇ ବର୍ଷ ପୁରି ଆସିଥିବା ସ୍ଥଳେ ଏଦିଗରେ ତୁରନ୍ତ ପଦକ୍ଷେପ ନିମନ୍ତେ ସଚ଼େତନ ବର୍ଗ ଆଶାୟୀ । ଅପରପକ୍ଷେ ତୃଟିପୂର୍ଣ୍ଣ ଆଇନ ପ୍ରଣୀତ ହେଲେ ଦେଶର ନାଗରିକଙ୍କ ଅନଲାଇନ ଅଧିକାର ଖର୍ବ ହେବା ସଙ୍ଗେ ଦେଶରେ ଗଢ଼ି ଉଠିଥିବା ଡ଼ାଟାକେନ୍ଦ୍ରୀକ ବ୍ୟବସାୟ ପ୍ରଭାବିତ ହେବ । ସ୍ଥଳ ବିଶେଷରେ ଭାରତ ଇଣ୍ଟରନେଟ ମଞ୍ଚରେ ଆନ୍ତର୍ଜାତିକ ପ୍ରବାହରୁ ଅପସରିଯିବାକୁ ବାଧ୍ୟ ହେବା ବିପଦ ଆଶଙ୍କା ମଧ୍ୟ ଅମୂଳକ ନୁହେଁ । ଇଣ୍ଟରନେଟ ସଂପର୍କୀତ ତୃଟିପୂର୍ଣ୍ଣ ଆଭିମୁଖ୍ୟ ହେତୁ କେତେକ ବୈଦେଶିକ ରାଷ୍ଟ୍ରରେ ସାମାଜିକ କ୍ଷେତ୍ରରେ ଅନଗ୍ରସରତାର ଉଦାହରଣର ଅଭାବ ନାହିଁ ।   

        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଡ଼ିସେମ୍ୱର ୨୦୧


ତଥ୍ୟ:



Data protection bill refereed to joint panel. The Hindu (Bhubaneswar Edition). December 12, 2019.


 

Lok Sabha refers data protection bill to joint panel of Parliament. The Times of India (Bhubaneswar Edition). December 12, 2019.


 

Protecting private data. (Editorial) Business Standard  (Bhubaneswar Edition). December 6, 2019.


 

Protect privacy. (Editorial) The Times of India (Bhubaneswar Edition). December 13, 2019.


 

Pahwa, Nikhil. Power over privacy. The Times of India (Bhubaneswar Edition). December 12, 2019.


 

Alawadhi, Neha. Data protection Bill eases storage norms. Business Standard (Bhubaneswar Edition). December 05, 2019.


 

Saigal, Sonam. ‘Data protection Bill not in line with draft’. The Hindu (Cuttack Edition). December 15, 2019.

ଡ଼ାଟା ପ୍ରୋଟେକ୍ସନ ବିଲ

ଭାରତୀୟ ନାଗରିକଙ୍କ ଅନ-ଲାଇନ ତଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଅଭିପ୍ରାୟରେ ପ୍ରଣୀତ ‘ପରସନାଲ ଡ଼ାଟା ପ୍ରୋଟେକ୍ସନ ବିଲ ୨୦୧୯’ ଅନୁଶୀଳନ ନିମନ୍ତେ ଗଠିତ ଜଏଣ୍ଟ ପାର୍ଲାମେଣ୍ଟରୀ କମିଟୀ ନିଜ ରିପୋର୍ଟ ୨୦୨୧ ଡ଼ିସେମ୍ୱର ମଧ୍ୟଭାଗରେ ଉପସ୍ଥାପିତ କରିଥିଲେ । ବିଜେପି ସାଂସଦ ପି.ପି. ଚୌଧୂରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟୀରେ ଲୋକସଭାର ୨୦ ଜଣ ଏବଂ ରାଜ୍ୟସଭାର ୧୦ ଜଣ ସାଂସଦ ଅନ୍ତର୍ଭୁକ୍ତ ହୋଇଥିଲେ । ଓଡିଶାରୁ ଲୋକସଭା ସଦସ୍ୟ ଭତ୍ତୃହରି ମହତାବ, ଅପରଜିତା ଷଡ଼ଙ୍ଗୀ ଏବଂ ରାଜ୍ୟସଭା ସଦସ୍ୟ ଡ଼କ୍ଟର ଅମର ପଟ୍ଟନାୟକ ଏହି କମିଟୀର ଅଂଶବିଶେଷ । ଅନ୍ୟମାନଙ୍କ ମଧ୍ୟରେ ଲୋକସଭାର ଦୟାନିଧି ମାରନ, ମହୁଆ ମୈତ୍ର, ମନୀଷ ତିୱାରୀ ତଥା ରାଜ୍ୟସଭାର ଡ଼େରିକ ଓ’ବ୍ରେନ, ଜୟରାମ ରମେଶ, ସୁରେଶ ପ୍ରଭୁ ପ୍ରମୁଖ ଚର୍ଚ୍ଚିତ ବ୍ୟକ୍ତିତ୍ୱ କମିଟୀର ସଦସ୍ୟ ରହିଥିଲେ ।


 

ସୁପ୍ରିମ କୋର୍ଟ ପକ୍ଷରୁ ୨୦୧୭ରେ ପ୍ରଦତ୍ତ ଐତିହାସିକ ରାୟରେ ଗୋପନୀୟତାକୁ ବଞ୍ଚିବାର ଅଧିକାର ଓ ବ୍ୟକ୍ତି ସ୍ୱତନ୍ତ୍ରତା ଅଂଶବିଶେଷ ସ୍ୱୀକାର କରାଯାଇ ଏହି ଦିଗରେ ଆଇନ ପ୍ରଣୟନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ଏହିକ୍ରମରେ ସରକାରଙ୍କପକ୍ଷରୁ ନିଯୁକ୍ତ ଜଷ୍ଟିସ ଶ୍ରୀକୃଷ୍ଣ କମିଶନ ପକ୍ଷରୁ ରିପୋର୍ଟ ଓ ପ୍ରସ୍ତାବିତ ଚ଼ିଠା ବିଲ ୨୦୧୮ରେ ପ୍ରସ୍ତୁତ କରିଥିଲେ । ବିଲଟି ୨୦୧୯ରେ ପାର୍ଲାମେଣ୍ଟରେ ଉପସ୍ଥାପିତ ହେବା ପରେ ଆଲୋଚ଼ିତ ହୋଇ ଜଏଣ୍ଟ ପାର୍ଲାମେଣ୍ଟରୀ କମିଟୀ ଦ୍ୱାରା ତର୍ଜମା ନିମନ୍ତେ ପ୍ରେରଣ କରାଯାଇଥିଲା । କମିଟୀ ଦୁଇବର୍ଷ ସମୟସୀମାରେ ୫୪୨ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଥିଲେ । ଏଥିରେ ମୂଳ ଚିଠା ବିଲରେ ୮୧ ଗୋଟି ପରିବର୍ତ୍ତନ ଓ ୧୫୧ ଗୋଟି ସଂଶୋଧନ ନିମନ୍ତେ ପରାମର୍ଶ ଦିଆଯାଇଥିବା କୁହାଯାଉଛି । ତେବେ କମିଟୀର ପରାମର୍ଶଗୁଡ଼ିକ ମାନିବା ନିମନ୍ତେ ସରକାର ବାଧ୍ୟ ନୁହନ୍ତି ।


 

ଗଣମାଧ୍ୟମ ସମୀକ୍ଷକମାନେ ଜଏଣ୍ଟ ପାର୍ଲାମେଣ୍ଟରୀ କମିଟୀର ରିପୋର୍ଟରେ ପ୍ରସ୍ତାବିତ ଆଇନ କାର୍ଯ୍ୟକାରିତାର ପରିସର ବୃଦ୍ଧି, ଡ଼ାଟା ସଂଗ୍ରହକାରୀ ସଂଗଠନଗୁଡ଼ିକର ଉତ୍ତରଦାୟିତ୍ୱ ସାବ୍ୟସ୍ତ ଏବଂ ବୈଧାନିକ ନିୟାମକ ପ୍ରତିଷ୍ଠା ପ୍ରତି ଗୁରୁତ୍ୱ ଦିଆଯାଇଥିବା ଲକ୍ଷ୍ୟ କରିଥାନ୍ତି । ମୁଖ୍ୟତଃ ତିନିଗୋଟି କ୍ଷେତ୍ରରେ ପ୍ରସ୍ତାବିତ ଆଇନର ପ୍ରଭାବକୁ ଗୁରୁତ୍ୱ ଦିଆଯାଇଥାଏ ।


 

ପ୍ରଥମତଃ, ରିପୋର୍ଟ ଅନୁଯାୟୀ ଫେସବୁକ ଭଳି ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ପ୍ରସାରିତ ସମସ୍ତ ବିଷୟର ପ୍ରକାଶକଭାବେ ବିବେଚ଼ିତ ହେବେ । ଅର୍ଥାତ, ସଂପୃକ୍ତ ମଞ୍ଚରେ ପ୍ରସାରିତ ସମସ୍ତ ବିଷୟ ନିମନ୍ତେ ଉତ୍ତରଦାୟୀ ରହିବେ । ସେମାନଙ୍କୁ ପ୍ରଚଳିତ ଆଇନ ଅନୁଯାୟୀ ମଧ୍ୟସ୍ଥି ‘ଇଣ୍ଟରମିଡ଼ିଆରି’ ବିବେଚ଼ନା କରାଯାଉଛି ଏବଂ ଫଳତଃ ଦାୟିତ୍ୱ ସୀମିତ ରହୁଛି । ଏହାକୁ ନେଇ ବିବାଦ ଉପୁଜିବା ସ୍ୱାଭାବିକ । କାରଣ ଫେସବୁକଭଳି ମଞ୍ଚରେ ଉପଭୋକ୍ତାମାନେ ପାଠ୍ୟ, ସ୍ୱର ଓ ଦୃଶ୍ୟ ଉପସ୍ଥାପନ ‘ପୋଷ୍ଟ’ କରିଥାନ୍ତି । ଏଗୁଡ଼ିକ ସଂପର୍କରେ ଅନ୍ୟମାନେ ଅଭିମତ ବା ମନ୍ତବ୍ୟ ‘କମେଣ୍ଟ’ ଯୋଡ଼ିଥାନ୍ତି । ଏହି କ୍ଷେତ୍ରରେ ସଂପୃକ୍ତ ମଞ୍ଚକୁ ପ୍ରକାଶକଭାବେ ଦାୟୀ କରାଯାଇପାରିବ କି ?


 

ଦ୍ୱିତୀୟତଃ, ଡ଼ାଟା ସୁରକ୍ଷା ଦିଗରେ ‘ଡ଼ାଟା ପ୍ରୋଟେକ୍ସନ ଅଥାରିଟି’ ନାମରେ ନିୟାମକ ଗଠନ ନିମନ୍ତେ ରିପୋର୍ଟରେ ପରାମର୍ଶ ଦିଆଯାଇଛି । ଡ଼ାଟା ସୁରକ୍ଷା ସଂପର୍କୀୟ ଯାବତୀୟ କାର୍ଯ୍ୟ ଏହି ବୈଧାନିକ ସଂସ୍ଥା ମାଧ୍ୟମରେ ସମାହିତ ହେବ । ଏତାଦୃଶ ପରାମର୍ଶ ଗ୍ରହଣଯୋଗ୍ୟ ବିଚାର କରାଯାଏ । ଅନଲାଇନ ପରିବେଶ ସଂପର୍କରେ ସଭିଏଁ ପରିଚିତ ନଥିବା ଏବଂ ଏଦିଗରେ ବୈଷୟିକ ଦକ୍ଷତା ଆବଶ୍ୟକତା ଥିବା ହେତୁ ଏକ ସଂସ୍ଥା ମାଧ୍ୟମରେ ଦାୟିତ୍ୱ ନିର୍ବାହ ସୁଫଳ ପ୍ରଦାନ କରିବା ଆଶା କରାଯାଇପାରେ ।


 

ତୃତୀୟତଃ, ସରକାରୀ କଳକୁ ନାଗରିକଙ୍କ ସଂପର୍କରେ ଗୋପନୀୟ ତଥ୍ୟ ସଂଗ୍ରହ ନିମନ୍ତେ ଅଧିକାର ପ୍ରସ୍ତାବିତ ଆଇନରେ ପରିସରଭୁକ୍ତ ନକରିବା ପାଇଁ ରିପୋର୍ଟରେ ଦର୍ଶାଯାଇଛି । ଏହି କ୍ଷେତ୍ରରେ ମଧ୍ୟ ବିବାଦ ଉପୁଜିଛି । ଖୋଦ ଜଏଣ୍ଟ ପାର୍ଲାମେଣ୍ଟରୀ କମିଟୀର ସଦସ୍ୟମାନେ ଏହାର ବିରୋଧ କରି ନୋଟ ଲେଖିଛନ୍ତି । କମିଟୀର ଅଧ୍ୟକ୍ଷ ପି. ପି. ଚୌଧୂରୀ ରିପୋର୍ଟର ଧାରା-୩୫ରେ ସରକାରୀ କଳକୁ ଡ଼ାଟା ସୁରକ୍ଷା ଆଇନରୁ ବାଦ ଦିଆଯାଇଥିବା ବାବଦରେ କୈଫୟତ ଦେଇଛନ୍ତି । ସେ କହିଛନ୍ତି ଯେ ଦେଶର ସର୍ବଭୌମତ୍ୱ, ସୁରକ୍ଷା, ଶୃଙ୍ଖଳା ଓ ବନ୍ଧୁ ରାଷ୍ଟ୍ରଙ୍କ ସହ ସଂପର୍କ ରକ୍ଷାରେ ତଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏଦିଗରେ କୌଣସି ସାଲିସ କରିବା ପ୍ରଶାସନିକ ସ୍ତରରେ ସଂଭବ ନୁହ ।


 

ପରସନାଲ ଡ଼ାଟା ପ୍ରୋଟେକ୍ସନ ବିଲ ୨୦୧୯ ଜଏଣ୍ଟ ପାର୍ଲାମେଣ୍ଟରୀ କମିଟୀ ପକ୍ଷରୁ ଆଗତ ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟରେ ପ୍ରସ୍ତାବିତ ବିଲରୁ ‘ପରସନାଲ’ ଶବ୍ଦଟି ହଟାଇ ଦିଆଯିବା ନିମନ୍ତେ କୁହାଯାଇଛି । ଡ଼ାଟା ସୁରକ୍ଷା ଦିଗରେ ଉଭୟ ବ୍ୟକ୍ତିଗତ ଏବଂ ଅନୁଷ୍ଠାନିକ ତଥ୍ୟକୁ ସମାନଭାବେ ଗ୍ରହଣ କରିବା ନିମନ୍ତେ ମତ ରଖାଯାଇଛି । ଇଲକ୍ଟ୍ରୋନିକ୍ସ ସାଜସରଞ୍ଜାମ ନିର୍ମାତାମାନେ ହାର୍ଡୱେର ମାଧ୍ୟମରେ ଡ଼ାଟା ସଂଗ୍ରହରେ ସଂପୃକ୍ତ ରହୁଥିବା ହେତୁ ସେମାନଙ୍କୁ ମଧ୍ୟ ଆଇନ ପରିସରଭୁକ୍ତ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି ।


 

ଯେକୌଣସି ସୋସିଆଲ ମିଡ଼ିଆ ତଥା ଅନ୍ୟାନ୍ୟ ବ୍ୟାବସାୟିକ ସଂସ୍ଥା ଡ଼ାଟା ସଂଗ୍ରହ କରୁଥିଲେ ଭାରତରେ ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ ଓ ଡ଼ାଟା ସୁରକ୍ଷା ଅଧିକାରୀ ନିଯୁକ୍ତ କରିବା ନିମନ୍ତେ ନିୟମ ପ୍ରଣୟନ ଲାଗି ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ବିଦେଶୀ କମ୍ପାନୀମାନେ ଦେଶୀୟ ଡ଼ାଟା ବିଦେଶକୁ ନନେବା ନିମନ୍ତେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନଲାଗି ସୁପାରିଶ କରାଯାଇଛି ।


 

କମିଟୀ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ ବିଲଟି ଆଇନରେ ପରିଣତ ହେଲେ ବିନିଯୋଗଲାଗି ସଂପୃକ୍ତ ପକ୍ଷମାନଙ୍କୁ ୨୪ ମାସ ମହଲତ ଦିଆଯିବା ଆବଶ୍ୟକ । କମିଟୀର ରିପୋର୍ଟରେ ପ୍ରଦତ୍ତ ବହୁ ପ୍ରସ୍ତାବକୁ ମୁଖ୍ୟତଃ ବିରୋଧୀ ଦଳର ସାଂସଦ ମନୀଷ ତିୱାରୀ, ମହୁଆ ମୈତ୍ର, ଗୌରବ ଗୋଗାଇ, ରିତେଶ ପାଣ୍ଡେ, ବିବେକ ତନଖା, ଜୟରାମ ରମେଶ, ଡ଼େରିକ ଓ’ବ୍ରେନ ଏବଂ ଡ଼କ୍ଟର ଅମର ପଟ୍ଟନାୟକ ଅସମ୍ମତ୍ତି ପ୍ରକାଶକରି ନୋଟ ଲେଖିଛନ୍ତି ।


 

ପରିବର୍ତ୍ତିତ ପରିବେଶରେ ଉଭୟ ଅନ-ଲାଇନ ଓ ଅଫ-ଲାଇନ ଡ଼ାଟାର ଗୁରୁତ୍ୱ ବୃଦ୍ଧିପାଇଛି । ବୈଷୟିକ ପ୍ରଗତିରେ ବ୍ୟକ୍ତିକେନ୍ଦ୍ରୀକ ତଥ୍ୟ, ଯଥା: ସେ କ’ଣ ପଢୁଛି, ଦେଖୁଛି, କିଣୁଛି, କେଉଁଠିକୁ ଯାଉଛି, ତାହାର ଆୟ କେତେ, ବ୍ୟୟ କେତେ ଯାବତୀୟ ତଥ୍ୟ ସଂଗ୍ରହ ହୋଇପାରୁଛି । ଏହାକୁ ସଂକଳିତ କରି କୃତ୍ରିମବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଭଳି କାରିଗରୀ କୌଶଳ ପ୍ରୟୋଗରେ ବ୍ୟକ୍ତିବିଶେଷଙ୍କ ଗତିବିଧିକୁ ନିୟନ୍ତ୍ରଣ ସଂଭବ । ବର୍ତ୍ତମାନ ଏହି ତଥ୍ୟାବଳୀ ବ୍ୟାବସାୟିକ, ରାଜନୀତିକ, ପ୍ରଶାସନିକସ୍ତରରେ ବହୁଳ ବ୍ୟବହାର କରାଯାଉଛି । ଭବିଷ୍ୟତରେ ଆହୁରି ଅଧିକ ତଥ୍ୟ ସଂଗ୍ରହ ଓ ଉପଯୋଗର ଧାରା ସୁସ୍ପଷ୍ଟ । ଏକ ପକ୍ଷରେ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ଓ ବ୍ୟବହାର ଗୋପନୀୟତା ଉଲଂଘନ କରୁଥିବାସ୍ଥଳେ ଅପରପକ୍ଷରେ ତଥ୍ୟକୁ ନେଇ ଅପରାଧିକ ମାମଲା ମଧ୍ୟ ବଢ଼ିଚାଲିଛି । ଏହି ପୃଷ୍ଠଭୂମିରେ ଡ଼ାଟା ପ୍ରୋଟେକ୍ସନ ବିଲ ୨୦୨୧ ତୁରନ୍ତ କାର୍ଯ୍ୟକାରୀ କରିବା ଜରୁରୀ ହୋଇପଡ଼ିଛି ।    

        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଡ଼ିସେମ୍ୱର ୨୦୨୧


ତଥ୍ୟ:



Parl. Panel : Social media platforms need to be made accountable. The Times of India (Bhubaneswar Edition). December 17, 2021


 

Alawadhi. Neha. Data protection Bill : MPs’ panel for widening scope. Business Standard  (Bhubaneswar Edition). December 17, 2021


 

Nair, Sobhana K. ‘Nation’s interest always trumps the individual’s interest. ’ Interview with P.P. Chaudhary. The Hindu.  (Cuttack Edition). December 17, 2021.


 

Disappointing report. Editorial. Business Standard  (Bhubaneswar Edition). December 20, 2021.

'ଫେକ ନିଉସ' ଆଇନ

ଅନ-ଲାଇନ ଅସତ୍ୟ ସମ୍ୱାଦ ‘ଫେକ ନିଉସ’ ନାମିତ । ଅସତ୍ୟ, ଅତିରଞ୍ଜିତ, ଗୁଜବ, ଉଦ୍ଦେଶ୍ୟ ପ୍ରଣୋଦିତ ଓ ଅଭିସନ୍ଧିମୂଳକ ସମ୍ୱାଦ ଅନଲାଇନରେ ପ୍ରସାରଣ ‘ଫେକ ନିଉସ’ ପର୍ଯ୍ୟାୟଭୁକ୍ତ । ବ୍ୟକ୍ତିଗତସ୍ତରରେ ମାନହାନୀଠାରୁ ଆରମ୍ଭ କରି ରାଷ୍ଟ୍ରଦ୍ରୋହ ଯାଏଁ ‘ଫେକ ନିଉଜ’ର ପ୍ରାଦୁର୍ଭାବ ପରିବ୍ୟାପ୍ତ । ବିଭ୍ରାନ୍ତିମୂଳକ ସମ୍ୱାଦ ପ୍ରସାରଣରେ ଜନମତକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ‘ଫେକ ନିଉସ’ର ବ୍ୟବହାର ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ସାରା ଜାରି ରହିବାପରେ ମହାମାରୀର ଠିକ ପୂର୍ବରୁ, ମହାମାରୀ କାଳରେ ଏବଂ ମହାମାରୀ-ପର ଅବସ୍ଥାରେ ‘ଫେକ ନିଉସ’ ନିୟନ୍ତ୍ରଣ କରିବା ନିମନ୍ତେ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ବିଶ୍ୱର ଦୁଇ ଡ଼ଜନରୁ ଉର୍ଦ୍ଧ୍ୱ ରାଷ୍ଟ୍ରରେ ଆଇନ ପ୍ରଣୟନ ହୋଇଥିବା ଜଣାଯାଏ ।


 

ମହାମାରୀ ପୂର୍ବରୁ ସିଙ୍ଗାପୁର, କମ୍ୱୋଡ଼ିଆ, ଆଇଲ୍ୟାଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କାରେ ‘ଫେକ ନିଉସ’ ବିରୋଧୀ ଆଇନଗତ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ମହାମାରୀ କାଳରେ ଋଷ, ଆଜେରବାଇଜାନ, ତାଜିକିସ୍ଥାନ, ଉଜବେକିସ୍ଥାନ, ରୋମାନିଆ, ହଙ୍ଗେରି, ବୋସାନିଆ, ମାଲେସିଆ, ଫିଲିପାଇନ୍ସ, ଭିଏତନାମ, ଆଲଜେରିଆ, ବ୍ରାଜିଲ, ବୋଲେଭିଆ, ପ୍ୟୁଟ୍ରୋରିକୋ, ଜୋର୍ଡନ ଓ ୟୁନାଇଟେଡ଼ ଆରବ ଏମ୍ରିଟେସ ଭଳି ରାଷ୍ଟ୍ରରେ ‘ଫେକ ନିଉସ’ ପ୍ରସାରଣକୁ ଦଣ୍ଡନୀୟ ଅପରାଧ ପର୍ଯ୍ୟାୟଭୁକ୍ତ କରିବା ନିମନ୍ତେ ସ୍ଥାନୀୟ ସରକାର ଆଇନଗତ ବ୍ୟବସ୍ଥା କରିଥିବା ‘ଇଣ୍ଟରନ୍ୟାସନାଲ ପ୍ରେସ ଇନଷ୍ଟିଉଟ’ର ବିବରଣୀରୁ ଜଣାଯାଏ ।


 

ଅନୁଷ୍ଠାନପକ୍ଷରୁ ଉଲ୍ଲେଖ କରାଯାଇଛି ଯେ ‘ଫେକ ନିଉସ’ର ସଂଜ୍ଞା ନିର୍ଦ୍ଧାରିତ ନହୋଇ ପାରୁଥିବା ହେତୁ ଏହାକୁ ନେଇ ଆଇନାବଳୀ ଉପଯୋଗରେ ବିପଦ ଭରି ରହିଥାଏ । ଅନଲାଇନ ସୋସିଆଲ ମିଡ଼ିଆ ବହୁ ସଂଖ୍ୟକ ସାଧାରଣ ନାଗରିକ ବ୍ୟବହାର କରିଥାନ୍ତି । ଏହି ମଞ୍ଚଗୁଡ଼ିକରେ ସମ୍ୱାଦ ଆହରଣ ସାଙ୍ଗକୁ ପ୍ରସାରଣର ମଧ୍ୟ ସୁବିଧା ଉପଲବ୍ଧ । ଜଣେ ଉପଭୋକ୍ତା ନିଜ ବନ୍ଧୁ ମହଲରେ ପ୍ରସାରଣ ନିମନ୍ତେ ବାର୍ତ୍ତାଟିଏ ପୋଷ୍ଟ କରୁଥିବା ବେଳେ ବନ୍ଧୁ ବର୍ଗ ଯଦି ତାହା ସେୟାର କରନ୍ତି ଏବଂ ଏହି ପ୍ରକ୍ରିୟା ଲାଗି ରହି ବାର୍ତ୍ତାଟି ବହୁଳ ପ୍ରସାରିତ ବା ‘ଭାଇରାଲ’ ହୋଇଯାଏ ତେବେ ଭୌଗଳିକ ସୀମାପାର ଅଗଣିତ ଜନସମୁଦାୟ ହାତପାଆନ୍ତାରେ ପହଞ୍ଚିବା ସମ୍ଭବ ।


 

ଏହି ପରିପ୍ରେକ୍ଷୀରେ ବାର୍ତ୍ତା ପ୍ରସାରଣ ନିମନ୍ତେ ମୂଳସୂତ୍ର ଏବଂ ପ୍ରସାରରେ ଅଂଶ ଗ୍ରହଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦାୟୀ କରାଯାଇପାରେ । ଏକପକ୍ଷରେ କୌଣସି ବିଭ୍ରାନ୍ତିମୂଳକ ସମ୍ୱାଦ ପ୍ରସାରଣ ବହୁ ସଂଖ୍ୟକଙ୍କୁ ପ୍ରଭାବିତ କରିବା ଭୟ ଥିବା ସ୍ଥଳେ ଅପରପକ୍ଷରେ ଆଇନଗତ ପଦକ୍ଷେପ ଗ୍ରହଣ ବେଳେ ବହୁ ସଂଖ୍ୟକଙ୍କୁ ଦଣ୍ଡବିଧାନର ଆଶଙ୍କାକୁ ମଧ୍ୟ ଟାଳି ହୁଏ ନାହିଁ । ଏହି କାରଣରୁ ‘ଫେକ ନିଉସ’ ସଂପର୍କୀତ ଆଇନାବଳୀରେ ଅସତ୍ୟ ସମ୍ୱାଦର ସଂଜ୍ଞା, ପ୍ରକାରଭେଦ, ପ୍ରେରକ ଓ ଗ୍ରହୀତାଙ୍କ ଆଦର୍ଶ ଆଚ଼ରଣ, ଅପରାଧ ନିର୍ଦ୍ଧାରଣ ଓ ଦଣ୍ଡବିଧାନ ପ୍ରତ୍ୟେକ କ୍ଷେତ୍ରରେ ସ୍ୱଚ୍ଛତା ପ୍ରତି ସତର୍କତା ଅବଲମ୍ୱନ ଆବଶ୍ୟକ ।


 

‘ଫେକ ନିଉସ’ ଆଇନାବଳୀର ଦୁରୋପଯୋଗ ଉଦାହରଣର ଅଭାବ ନଥାଏ । ବିଭିନ୍ନ ରାଷ୍ଟ୍ରରେ ସରକାରୀ କଳ ନିଜ ସ୍ୱାର୍ଥ ସିଦ୍ଧି ନିମନ୍ତେ ଅସତ୍ୟ ସମ୍ୱାଦର କଦର୍ଥ କରି ଆଇନ ସହାୟତାରେ ଦମନମୂଳକ ପଦକ୍ଷେପ ଗ୍ରହଣ କରିଥାନ୍ତି । ଆରକ୍ଷୀ, ପ୍ରଶାସନ ଓ ସେନାବଳ ନିଜ ଉଦ୍ଦେଶ୍ୟକୁ ସୁହାଇଲାଭଳି ଅସତ୍ୟ ସମ୍ୱାଦର ସଂଜ୍ଞା ନିରୂପଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ହେତୁ ମୁଖ୍ୟତଃ ସାମ୍ୱାଦିକମାନେ ପ୍ରଭାବିତ ହୋଇଥାନ୍ତି । ସତ୍ୟ-ଅସତ୍ୟର ଯାଞ୍ଚ ସ୍ଥଳବିଶେଷରେ ପରବର୍ତ୍ତୀ ପର୍ଯ୍ୟାୟରେ ସମାହିତ ହେଲେ ହେଁ, ତତକ୍ଷଣାତ ସମ୍ୱାଦ ପ୍ରସାରଣ ବ୍ୟାହତ ହେବା ସଙ୍ଗେ ସାମ୍ୱାଦିକ ଆକ୍ରୋଶର ସମ୍ମୁଖୀନ ହେବା ବିପଦ ରହିଥାଏ ।


 

ପାରମ୍ପରିକଭାବେ ସମ୍ୱାଦ ପ୍ରସାରଣ କ୍ଷମତା ଗଣମାଧ୍ୟମ ମଞ୍ଚଗୁଡ଼ିକ ଅଧୀନରେ ସଂକୁଚ଼ିତ ହୋଇ ରହିଆସିଥିବା ଏବଂ ଏକଛତ୍ରବାଦୀ ପ୍ରଶାସନ ଓ ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ଗଣମାଧ୍ୟମକୁ ଆୟତ୍ତ କରିବା ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ୱନରେ ସମର୍ଥ ହୋଇପାରୁଥିବା ଅବସରରେ ସୋସିଆଲ ମିଡ଼ିଆରେ ବିପୁଳ ଜନସଂଖ୍ୟାର ଯୋଗଦାନ ସମ୍ୱାଦ ପ୍ରସାରଣ ନିୟନ୍ତ୍ରଣ କ୍ଷମତାକୁ ଛଡ଼ାଇ ନେବାକୁ ଲାଗିଲା । କ୍ରମଶଃ ଅନଲାଇନ ପରିବେଶର ଗୁରୁତ୍ୱ ବୃଦ୍ଧି ପାଇବାପରେ ଏହି ନୂତନ ମାଧ୍ୟମ ନିୟନ୍ତ୍ରଣ କରିବା ନିମନ୍ତେ ଆଇନଗତ ପ୍ରାବଧାନମାନ ସୃଷ୍ଟି ଦିଗରେ ଉଦ୍ୟମ କରାଗଲା । ପ୍ରଚଳିତ ଆଇନବଳୀ ଉପଯୋଗ ଲାଗି ନିୟମାବଳୀ ପ୍ରଣୟନ ସାଙ୍ଗକୁ ନୂତନ ଆଇନ ପ୍ରଣୟନ ନିମନ୍ତେ ଉଦ୍ୟମ ବିଭିନ୍ନ ରାଷ୍ଟ୍ରରେ ଦେଖିବାକୁ ମିଳିଲା ।


 

ମହାମାରୀ ଆରମ୍ଭରେ ସ୍ୱାସ୍ଥ୍ୟରକ୍ଷା ସଂପର୍କରେ ଅନଲାଇନରେ ଅସତ୍ୟ ସମ୍ୱାଦ ପ୍ରସାରଣ ସାମାଜିକ ଅସ୍ଥିରତା ସୃଷ୍ଟି କରିଥିଲା । କୋଭିଡ଼-୧୯ ଏକ ନୂତନ ସଂକ୍ରାମକ ରୋଗ ଏବଂ ପ୍ରାଥମିକ ଅବସ୍ଥାରେ ଏହାର ନିଦାନ, ଚ଼ିକିତ୍ସା କିମ୍ୱା ପ୍ରତିଷେଧକ ସଂପର୍କରେ ସବିଶେଷ ତଥ୍ୟ ଅଭାବରୁ ବିଭିନ୍ନସ୍ତରରେ ଅସତ୍ୟ, କଳ୍ପନା ଓ ବିଶ୍ୱାସଭିତ୍ତିକ ସମ୍ୱାଦ ପ୍ରସାରଣରେ ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । ମହାମାରୀ-ପୂର୍ବ ଅବସ୍ଥାରେ ଅନଲାଇନ ‘ଫେକ-ନିଉସ’ ପ୍ରତିରୋଧ ନିମନ୍ତେ ଉଦ୍ୟମ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅନୁକୂଳ ପରିବେଶକୁ ପ୍ରଶାସନିକସ୍ତରରେ ହାତଛଡ଼ା କରାଗଲା ନାହିଁ । ଫଳରେ ବିଶ୍ୱର ସର୍ବତ୍ର ଊଣାଅଧିକେ କ୍ରମବିକଶିତ ଅନଲାଇନ ସମ୍ୱାଦ ପ୍ରସାରଣ ନିୟନ୍ତ୍ରଣ ନିମନ୍ତେ ଉଦାହରଣ ଦେଖିବାକୁ ମିଳିଥିଲା ।


 

ଋଷ-ୟୁକ୍ରେନ ବିବାଦ ଅବସରରେ ମାର୍ଚ୍ଚ ୨୦୨୨ ପ୍ରଥମ ସପ୍ତାହରେ ‘ଫେକ ନିଉସ’ ପ୍ରସାରଣ ବିରୋଧରେ ୧୫ ବର୍ଷ ଯାଏଁ ଜେଲଦଣ୍ଡର ବ୍ୟବସ୍ଥା ଆନ୍ତର୍ଜାତିକ ଗଣମାଧ୍ୟମ ପରିଧିରେ ଅନଲାଇନ ସମ୍ୱାଦ ପ୍ରସାରଣର ସମ୍ଭାବ୍ୟ ଭବିଷ୍ୟତକୁ ନେଇ ପୁନର୍ବାର ଚର୍ଚ୍ଚିତ ହୋଇଥିଲା । ଏହି ଅବସରରେ ଚୀନ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ପେକିଂ ବିଶ୍ୱବିଦ୍ୟାଳୟର ଜନୈକ ପ୍ରାକ୍ତନ ଅଧ୍ୟାପକ ‘ଫେକ ନିଉସ’ ପ୍ରସାରଣ ରାଷ୍ଟ୍ରୀୟ ହିତରେ ପ୍ରତିବନ୍ଧକ ସାଜୁଥିବା ଅଭିଯୋଗ ବାଢ଼ିଥିଲେ । ଏତଦ୍ୱାରା ଜନସାଧାରଣରେ ବିଶୃଙ୍ଖଳା ଓ ବିଭେଦ ସାଙ୍ଗକୁ ଆନ୍ତର୍ଜାତିକ ସହବସ୍ଥାନରେ ବିଘ୍ନ ସୃଷ୍ଟି ହେବା ପୂର୍ବାନୁମାନ କରିଥିଲେ ।


 

ବ୍ରିଟେନର ‘ଦି ଗାର୍ଡ଼ିଆନ’ରେ ୮ ମାର୍ଚ୍ଚ ୨୦୨୨ରେ ପ୍ରକାଶିତ ଏକ ବିବରଣୀରେ ସଂପୃକ୍ତ ଚୀନ ଗଣମାଧ୍ୟମ ବିଶେଷଜ୍ଞଙ୍କ ଦୃଷ୍ଟିକୋଣ ଉଦ୍ଧାର କରି କୁହାଯାଇଛି ଯେ ବିଭିନ୍ନ କାରଣରୁ ‘ଫେକ ନିଉସ’ ପ୍ରସାରିତ ହୋଇଥାଏ । ପ୍ରଥମରେ କୌଣସି ବିଷୟରେ କେହି ଅସନ୍ତୁଷ୍ଟ ହୋଇ ଅନଲାଇନରେ ଅସତ୍ୟ ସମ୍ୱାଦ ପ୍ରକାଶ କରିପାରେ । ଦ୍ୱିତୀୟରେ ବିଭିନ୍ନ ଅନଲାଇନ ମଞ୍ଚରେ ବାଇଟ ଯୋଗୁଁ ଦର୍ଶକ ସଂଖ୍ୟା ନିର୍ଦ୍ଧାରିତ ହେଉଥିବା ତଥା ତଦ୍ଅନୁଯାୟୀ  ବିଜ୍ଞାପନ ପ୍ରଦର୍ଶନ ଏବଂ ଆୟ ବଢୁଥିବା ହେତୁ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଅସତ୍ୟ ସମ୍ୱାଦ ପ୍ରସାରଣରେ କେତେକ ସଂପୃକ୍ତ ହୋଇଥାନ୍ତି । ତୃତୀୟତଃ ବିଭିନ୍ନ କାରଣରୁ ପ୍ରତିଯୋଗିତାମୂଳକ ପରିବେଶର ମୁକାବିଲା କରିବା ନିମନ୍ତେ ମଧ୍ୟ ‘ଫେକ ନିଉସ’ ପ୍ରସାରଣର ସହାୟତା ଗ୍ରହଣ କରାଯାଇଥାଏ ।


 

ସେ ଆହୁରି ଦର୍ଶାଇଥିଲେ ଯେ ସାଧାରଣ ବ୍ୟକ୍ତିଟିଏ ଅନଲାଇନରେ ସତ୍ୟ ଓ ଅସତ୍ୟ ସମ୍ୱାଦ ମଧ୍ୟରେ ଫରକ ଚ଼ିହ୍ନଟ କରିପାରୁନଥିବା ହେତୁ ‘ଫେକ ନିଉଜ’ ସାମାଜିକସ୍ତରରେ ଚରମ ମନୋଭାବ  ‘ଏକ୍ସଟ୍ରିମ ଭିଉସ’ ଏବଂ ପକ୍ଷଭୁକ୍ତ ‘ପୋଲାରାଇଜେସନ’ ସୃଷ୍ଟି କରିଥାଏ । କେତେକ ନିଜ ସଂକୀର୍ଣ୍ଣ ଜାତୀୟତା ମନୋଭାବ ‘ନେସନାଲିଜମ’ ଚ଼ରିତାର୍ଥ କରିବା ନିମନ୍ତେ ମଧ୍ୟ ‘ଫେକ ନିଉସ’ର ସହାୟତା ଗ୍ରହଣ କରିଥାନ୍ତି । କିନ୍ତୁ ସମାଲୋଚକମାନେ ‘ଫେକ ନିଉସ’ ଆଇନର ଉପଯୁକ୍ତ ଉପଯୋଗ ଅଭାବରେ ମୁକ୍ତ ସାମ୍ୱାଦିକତା ବ୍ୟାହତ ହେବା ଅଭିଯୋଗ ବାଢ଼ିଥାନ୍ତି । ‘ଫେକ ନିଉସ’ ଆଇନ ପ୍ରଣୟନରେ ସ୍ୱାଧୀନ ସମ୍ୱାଦମଞ୍ଚଗୁଡ଼ିକ ବାଧ୍ୟବାଧକତାରେ ପ୍ରକାଶନ ବନ୍ଦ ରଖୁଥିବା ହେତୁ ବହୁ ସାମ୍ୱାଦିକ ନିଯୁକ୍ତି ହରାଉଥିବା ମଧ୍ୟ ଦେଖିବାକୁ ମିଳେ । ଉଦାହରଣରେ ହଙ୍କକଙ୍ଗରେ ଅନଲାଇନ ସମ୍ୱାଦ ମଞ୍ଚ ନିୟନ୍ତ୍ରଣ କଡ଼ାକଡ଼ି ହେବା ଫଳରେ ମହାମାରୀ-ପର ଅବସ୍ଥାରେ ବହୁ ସ୍ୱାଧୀନ ସମ୍ୱାଦିକ ସାମ୍ୱାଦିକତାରୁ ସନ୍ୟାସ ନେବାକୁ ବାଧ୍ୟ ହୋଇଥିବା ଜଣାଯାଏ । ଅତଏବ ‘ଫେକ ନିଉସ’ର ସୁଦୂରପ୍ରସାରୀ ପ୍ରଭାବକୁ ଅଣଦେଖା କରାଯିବା ଅନୁଚିତ ।     

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୧ ମାର୍ଚ୍ଚ ୨୦୨


ତଥ୍ୟ:



Fisher, Sara. Fake news laws spreading. Axios Media Trends. March 08, 2022

 

 

International Press Institute. COVID-19 Media Freedom Monitoring


 

https://ipi.media/covid-19-media-freedom-monitoring


 

Kwan, Rhoda. Chinese government adviser calls for law to ban ‘fake news’ The Guardian. March 08, 2022.


 

https://www.theguardian.com/world/2022/mar/08/chinese-government-adviser-calls-for-law-to-ban-fake-news

ସୋସିଆଲ ମିଡ଼ିଆରେ ଗାଳିଗୁଲଜ

ଭାରତରେ ୨୦୧୯ ସାଧାରଣ ନିର୍ବାଚ଼ନ ବେଳକୁ ଇଣ୍ଟରନେଟର ବ୍ୟାପ୍ତି ଓ ବ୍ୟବହାରରେକ୍ଷୀପ୍ରତାପୂର୍ବାନୁମାନ କରାଯାଉଥିଲା । ଦେଶର ପ୍ରାୟ ୪୦ ପ୍ରତିଶତ ନାଗରିକ ଇଣ୍ଟରନେଟ ମଞ୍ଚରେ ଅବତୀର୍ଣ୍ଣ ହେବା ଅବସରରେ ସାମାଜିକ, ସାଂସ୍କୃତିକ ଓ ରାଜନୀତିକ କ୍ଷେତ୍ରରେ ନୂତନ ସମୀକରଣ ସୃଷ୍ଟି ଲକ୍ଷ୍ୟ କରାଯାଉଛି । ନିର୍ବାଚ଼ନର ଠିକ୍ ଦୁଇ ମାସ ପୂର୍ବରୁ ଜାମ୍ମୁ ଓ କଶ୍ମୀରର ଫୁଲୱାମାଠାରେ ଆତଙ୍କବାଦୀ ବିସ୍ପୋରଣ ଓ ତତ୍ସଙ୍ଗେ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ସୋସିଆଲ ମିଡ଼ିଆରେ ବ୍ୟାପକ ଚର୍ଚ୍ଚା ଅନେକଙ୍କୁ ବିସ୍ମିତ କରିଛି । ଯୁଦ୍ଧତୁଲ୍ୟ ପରିସ୍ଥିତିରେ ସାଧାରଣ ନାଗରିକଙ୍କ ମଧ୍ୟରେ ଜାତୀୟତାଭାବ ଉଦ୍ରେକ ସ୍ୱାଭାବିକ । କିନ୍ତୁ ପାରମ୍ପରିକ ଗଣମାଧ୍ୟମ ତୁଳନାରେ ନୂତନ ପରିବେଶ ବିସ୍ତୃତ ଜନସଂଖ୍ୟାକୁ ଖୁବ୍ କମ୍ ସମୟ ମଧ୍ୟରେ, ଗଭୀରଭାବେ ପ୍ରଭାବିତ କରିବାରେ ସମର୍ଥ ହୋଇପାରିଥିବା ପ୍ରମାଣିତ ହୋଇଛି ।


 

ସାଧାରଣ ନିର୍ବାଚ଼ନର ଦୁଇବର୍ଷ ପୂର୍ବରୁ ଟେଲିଯୋଗାଯୋଗ ବ୍ୟବସାୟରେ ରିଲାଏନ୍ସଜିଓ ପକ୍ଷରୁ ୪ଜି ବୈଷୟିକ କୌଶଳକୁ ନେଇ ପ୍ରବେଶ ଦେଶରେ ୨୮ କୋଟି ନୂତନ ଇଣ୍ଟରନେଟ ଉପଭୋକ୍ତା ସୃଷ୍ଟି ଏକ ଐତିହାସିକ  ଘଟଣା । ରିଲାଏନ୍ସ ଜିଓ ଭଳି ଦୀର୍ଘସୂତ୍ରୀ ବ୍ୟାବସାୟିକ ଶୈଳୀ ପ୍ରୟୋଗ ବିନା ଭାରତରେ ଇଣ୍ଟରନେଟ ବ୍ୟବହାର ‘ଡ଼ାଟା’ ଦର ଅନ୍ତତଃ କିଛି କାଳ ଯାଏଁ ଚଢ଼ାମୂଲ୍ୟ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆବର୍ଗଙ୍କ ପାଇଁ ଇଣ୍ଟରନେଟ ଅଛୁଆଁ ହୋଇ ରହିଥାଆନ୍ତା ।


 

ଭାରତରେ ମୋବାଇଲ ଫୋନ ପର୍ଦ୍ଦାରେ ଇଣ୍ଟରନେଟର ପ୍ରସାର ଓ ସୋସିଆଲ ମିଡ଼ିଆ ବ୍ୟବହାର ଉପଭୋକ୍ତାଙ୍କ ପାଇଁ ଏକ ନୂତନ ଅଭିଜ୍ଞତା । ମୋବାଇଲ ଫୋନ ପର୍ଦ୍ଦା ଗଭୀର ବ୍ୟକ୍ତିଗତ ‘ଡିପପରସନାଲ’ପରିବେଶ ଗଢ଼ି ତୋଳିଥାଏ । ସମ୍ୱାଦପତ୍ର, ପତ୍ରପତ୍ରିକା ତଥା ଟେଲିଭିଜନ ସାର୍ବଜନୀନ ମଞ୍ଚରୂପେଗଢ଼ି ଉଠିଥିବା ସ୍ଥଳେ ହ୍ୱାଟସଆପ ଭଳି ମେସେଞ୍ଜର ଆପ୍ଲିକେସନର ବ୍ୟବହାରରେ ପ୍ରେରକ ଓ ପ୍ରାପକଙ୍କ ଭିନ୍ନ ତୃତୀୟ ପକ୍ଷର ଅନୁପ୍ରବେଶ ନଥାଏ । ଫଳରେ ଗୋପନୀୟତା ଯୋଗାଯୋଗକୁ ଶକ୍ତିଶାଳୀ କରେ । ଅପରପକ୍ଷରେ ମୋବାଇଲ ପର୍ଦ୍ଦାରେ ଇଣ୍ଟରନେଟ ବ୍ୟବହାରରେ ମାଦକତା କାରଣରୁ ଉପଭୋକ୍ତାମାନେ ଦୀର୍ଘ ସମୟଧରି ଉପସ୍ଥିତି ରହନ୍ତି । ଏହି ପରିବେଶ ସେମାନଙ୍କୁ ପ୍ରଭାବିତ କରିବା ନିମନ୍ତେ ପ୍ରକୃଷ୍ଟ କ୍ଷେତ୍ର ସୃଷ୍ଟି କରିଥାଏ । ମୋଟ ଉପରେ କହିବାକୁ ଗଲେ ପାରମ୍ପରିକ ଗଣମାଧ୍ୟମ ତୁଳନାରେ ଇଣ୍ଟରନେଟ ମଞ୍ଚରେଜନସାଧାରଣଙ୍କୁ କୌଣସି ବିଷୟରେ ପ୍ରରୋଚ଼ିତ କରିବା ସହଜସାଧ୍ୟ ।


 

ଫୁଲୱାମା ଘଟଣା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଅବସରରେ କେତେକ କ୍ଷେତ୍ରରେ ଗାଳିଗୁଲଜ ‘ହେଟ ସ୍ପିଚ’ ବ୍ୟବହାର ଗଣମାଧ୍ୟମ ଭାଷ୍ୟକାରମାନଙ୍କୁ ବିବ୍ରତ କରିଥିଲା । ଏକ ବିସ୍ତୃତ ମଞ୍ଚରେ ବିପୁଳ ସଂଖ୍ୟକ ଉପଭୋକ୍ତା ଗାଳିଗୁଲଜରେ ଅଂଶ ଗ୍ରହଣ କରିବା ସାମାଜିକ ନିରାପତ୍ତା ଲାଗି ବିପଦର କାରଣ । ୨୦୧୮ ପ୍ରାରମ୍ଭରେ ସୋସିଆଲ ମିଡ଼ିଆରେ ଗୁଜବ ପ୍ରସାର ହେତୁ ଅନ୍ୟୂନ ୩୦ ଜଣ ବ୍ୟକ୍ତି ଦେଶର ବିଭିନ୍ନ ପ୍ରାନ୍ତରେ ସଂଘବଦ୍ଧ ଆକ୍ରମଣରେ ପ୍ରାଣ ହରାଇଥିବା ଉଦାହରଣ ମନରୁ ଲିଭିନଥିବାବେଳେ ୨୦୧୯ ପ୍ରାରମ୍ଭରେ ଗାଳିଗୁଲଜ ପ୍ରସାରର ମାଧ୍ୟମ ପାଲଟିଥିବା ଏଭଳି ମଞ୍ଚ ବ୍ୟବହାର ଓ ପରିଚ଼ାଳନାକୁ କେନ୍ଦ୍ର କରିଉଦବେଗ ପ୍ରକାଶ ପାଇଛି ।


 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଅନୁଯାୟୀ ଇଂଲିଶ ଟେଲିଭିଜନରେ ଜଣେ ମହିଳା ସାମ୍ୱାଦିକ ତଥାକଥିତ ଉଦାରବାଦୀ‘ଲିବରାଲ’ଙ୍କଫୁଲୱାମାଘଟଣାକୁ ନେଇ ଏକ ମନ୍ତବ୍ୟକୁ ସମାଲୋଚ଼ନା କରି ସୋସିଆଲ ମିଡ଼ିଆରେବ୍ୟାପକ ଗାଳିଗୁଲଜ କରାଯାଇଥିଲା । କୁହାଯାଉଛି ଯେ କୁଆଡ଼େ ଦୁଇ ହଜାରରୁଅଧିକ ବ୍ୟକ୍ତି ଟେଲିଫୋନ କରି ତାଙ୍କୁ ଗାଳି କରିଥିଲେ ଏବଂ ଫେସବୁକ, ଟୁଇଟର ଭଳି ମଞ୍ଚରେ ସେହି ସଂଖ୍ୟାଠାରୁ ଢ଼େରଅଧିକ ଗାଳିଗୁଲଜ ପୋଷ୍ଟ ପ୍ରକାଶିତ ହୋଇଥିଲା । ସଂପୃକ୍ତ ସାମ୍ୱାଦିକଙ୍କ ଫୁଲୱାମା ଘଟଣା ସଂପର୍କରେ ମନ୍ତବ୍ୟ ବିବାଦୀୟ ନା ନାହିଁ ସେ ଭିନ୍ନ କଥା । ତେବେ ଟେଲିଭିଜନ ମଞ୍ଚରେ ଆଜିଯାଏଁ ଯେଉଁ ଦର୍ଶକମାନେ ଯାହାର ଏକପାଖିଆ ବକ୍ତବ୍ୟ ଦେଖି ବା ଶୁଣି ଆସୁଥିଲେ ସୋସିଆଲ ମିଡ଼ିଆ ପରିବେଶରେ ତାଙ୍କରି ସମ୍ମୁଖରେ ନିଜର ଆକ୍ରୋଶ ଉପସ୍ଥାପନ କରିପାରିଛନ୍ତି ତାହା ଏକ ନୂତନ ଉପକ୍ରମ । ଗୁଜବ ଭଳି ଘୃଣା ବା ଗାଳିଗୁଲଜ ଆଇନତଃ ଅପରାଧ । ଏହି କ୍ଷେତ୍ରରେ ସୀମାଉଲଘଂନକାରୀଙ୍କୁ ଦଣ୍ଡ ବିଧାନର ପ୍ରାବଧାନ ରହିଛି ।


 

ସୋସିଆଲ ମିଡ଼ିଆରେ ଯେଉଁମାନେ ପୋଷ୍ଟ କରୁଛନ୍ତି ସଭିଏଁ ଶିକ୍ଷିତ । ସେମାନଙ୍କ ମଧ୍ୟରେ ଅନେକେ ମଧ୍ୟବିତ୍ତ ପରିବାରବର୍ଗ । ମହିଳା ସାମ୍ୱାଦିକ ନିଜ ବକ୍ତବ୍ୟ ଉପସ୍ଥାପନ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ବିପୁଳ ସଂଖ୍ୟକ ସମାଲୋଚ଼ନାମୂଳକ, ସ୍ଥଳବିଶେଷରେ ଅଶାଳୀନ ପୋଷ୍ଟ ପ୍ରକାଶିତ ହେବା ଘଟଣାକୁ ଏକ ନିର୍ଦ୍ଧିଷ୍ଟ ରାଜନୀତିକ ଦଳର କାରସାଦୀ ଅଭିହିତ କରିଛନ୍ତି । ଏକପକ୍ଷରେ ଏହା ସଂଭବ ହୋଇପାରେ । ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ନିଜର ଅନୁଗାମୀମାନଙ୍କୁସୋସିଆଲ ମିଡ଼ିଆରେସଂଗଠିତ କରିସାରିଥିବା ଅବସରରେ ସଂଘବଦ୍ଧ ଆକ୍ରମଣର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ । କିନ୍ତୁ ଅପରପକ୍ଷରେ ଦୀର୍ଘ ଦୁଇ ଦଶନ୍ଧିଧରିମହିଳା ସାମ୍ୱାଦିକଙ୍କ ଏକପାଖିଆ ବିବୃତ୍ତି ଜାରି ଅନେକଙ୍କୁ ଉତକ୍ଷିପ୍ତ କରିନାହିଁ ବୋଲି ପ୍ରମାଣର ମଧ୍ୟ ଅଭାବ ରହିଛି ।


 

ସୋସିଆଲ ମିଡ଼ିଆରେ ଗୁଜବ ଓ ଗାଳିଗୁଲଜକୁ ରୋକିବା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅନ୍ତରାଷ୍ଟ୍ରୀୟସ୍ତରରେ ସରକାରମାନଙ୍କ ପକ୍ଷରୁ ବିଭିନ୍ନ ମଞ୍ଚର ପରିଚ଼ାଳକଙ୍କୁଏଭଳି ରଚ଼ନା, ଅଡ଼ିଓ ଓ ଭିଡ଼ିଓ ରୋକିବା ନିମନ୍ତେ ତାଗିଦ କରାଯାଉଛି । ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଏଦିଗରେ ଉଦ୍ୟମ ଜାରି ରହିଛି । ଆମ ଦେଶରେ କେନ୍ଦ୍ର ସରକାର ୨୦୧୧ରେ ଇଣ୍ଟରନେଟ ପରିଚ଼ାଳନା ସଂପର୍କରେ ନୀତି ନିର୍ଦ୍ଧାରଣ କରିଥିଲେ । ‘ଦି ଇନଫରମେସେନଟେକନୋଲଜିଇଣ୍ଟମିଡ଼ିଏଟରିଗାଇଡ଼ଲାଇନ୍ସ (ଆମେଣ୍ଡମେଣ୍ଟ) ରୁଲସ ୨୦୧୮’ର ଖସଡ଼ା ପ୍ରସ୍ତୁତ କରାଯାଇଛି ।


 

ଏଥିରେ ମୁଖ୍ୟତଃ ତିନିଗୋଟି ଦିଗ ପ୍ରତି ଗୁରୁତ୍ୱ ଆରୋପ ହୋଇଥିବା ଅନୁଶୀଳନ କରାଯାଏ । ପ୍ରଥମତଃ ଫେସବୁକ, ଟୁଇଟର, ଲିଙ୍କଡ଼-ଇନ ଭଳି ସମସ୍ତ ଇଣ୍ଟରନେଟ ମଧ୍ୟସ୍ଥି‘ଇଣ୍ଟରମିଡ଼ିଏଟରି’ ବେନିୟମ ପୋଷ୍ଟ ‘ଅନଲଫୁଲ ଇନଫରମେସନ ଅର କଣ୍ଟେଣ୍ଟ’ ତୁରନ୍ତ ଅପସାରଣ କରିବା ନିମନ୍ତେ ସ୍ୱୟଂକ୍ରିୟ ବୈଷୟିକ କୌଶଳ ‘ଅଟୋମେଟେଡ଼ଟେକନୋଲଜି’ ଉପଯୋଗ କରିବେ । ଦ୍ୱିତୀୟତଃ ଯେଉଁ ଇଣ୍ଟରନେଟ ମଞ୍ଚରେ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଭାରତୀୟ ଉପଭୋକ୍ତା ସଦସ୍ୟଭୁକ୍ତ ହୋଇଥିବେ ସେମାନେ ଭାରତରେରେଜିଷ୍ଟାର୍ଡ଼ ଅଫିସ ସ୍ଥାପନ ଓ କାର୍ଯ୍ୟବାହୀ ଅଧିକାରୀ ‘ନୋଡ଼ାଲ ପରସନ ଅଫ କଣ୍ଟାଣ୍ଟ’ ନିଯୁକ୍ତ କରିବାକୁ ବାଧ୍ୟ । ତୃତୀୟତଃ ଇଣ୍ଟରନେଟ ମଧ୍ୟସ୍ଥିମାନେ ଆବଶ୍ୟକସ୍ଥଳେ ସରକାରୀ କଳକୁ ସହାୟତା ‘ଇନଫରମେସନ ଏଣ୍ଡ ଆସିଷ୍ଟାନ୍ସ’ ଦେବେ ।


 

ସୋସିଆଲ ମିଡ଼ିଆରେ ଗୁଜବ ଓ ଗାଳିଗୁଲଜ କ୍ରମଶଃ ବଢୁଥିବା ଲକ୍ଷ୍ୟ କରାଯାଉଥିବାସ୍ଥଳେ ପ୍ରଶାସନିକସ୍ତରରେଆଇନ ପ୍ରଣୟନ ସାଙ୍ଗକୁ ଉପଭୋକ୍ତାଙ୍କ ମଧ୍ୟରେ ସଂପୃକ୍ତ ମଞ୍ଚ ବ୍ୟବହାରଜନିତସଚ଼େତନତା ପ୍ରସାର ମଧ୍ୟ ଗୁରୁତ୍ୱ ବହନ କରିଥାଏ । ଏହି କ୍ଷେତ୍ରରେ ଇଣ୍ଟରନେଟ ମଧ୍ୟସ୍ଥି, ସରକାର ଓ ସାମାଜିକ ସଂଗଠନମାନେ ପଦକ୍ଷେପ ନେବା ବିଧେୟ ।      

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ମାର୍ଚ୍ଚ ୨୦୧୯


ତଥ୍ୟ:



Varma, Pavan K. India’s vile cyber bullies. The Times of India (Bhubaneswar Edition). March 4, 2019.


 

Sen, Shreeja. Putting checks on social media. Business Standard (Bhubaneswar Edition). February 18, 2019.


 

Tanwar, Sangeeta. Digital media game will change completely in five years. Business Standard (Bhubaneswar Edition). February 28, 2019.

ସୋସିଆଲ ମିଡ଼ିଆ ନିର୍ବାଚ଼ନୀ ବିଜ୍ଞାପନରେ କଟକଣା

ଭାରତର ୧୭ଶ ସାଧାରଣ ନିର୍ବାଚ଼ନ ପ୍ରଚ଼ାର ଅଭିଯାନରେ ସୋସିଆଲ ମିଡ଼ିଆ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିବା ଗଣମାଧ୍ୟମ ସମୀକ୍ଷକମାନେ ଅନୁଶୀଳନ କରୁଥିବାସ୍ଥଳେ ଏଥିଲାଗି ଉପସ୍ଥାପିତ ତିନି ଗୋଟି ଯୁକ୍ତି ଗୁରୁତ୍ୱ ବହନ କରେ ।

 

ପ୍ରଥମତଃ ୨୦୧୯ ଆରମ୍ଭ ସୁଦ୍ଧା ଦେଶରେ ୫୦ କୋଟି ଇଣ୍ଟରନେଟ ସଂଯୁକ୍ତି ଓ ୩୦ କୋଟି ସ୍ମାର୍ଟଫୋନ ବ୍ୟବହୃତ ହେଉଥିବା ଗଣନା କରାଯାଇଥିଲା ଏବଂ ଭାରତୀୟମାନେ ମୁଖ୍ୟତଃ ସ୍ମାର୍ଟଫୋନ ଯୋଗେ ସୋସିଆଲ ମିଡ଼ିଆରେ ଅଂଶଗ୍ରହଣ କରିଥାନ୍ତି । ହ୍ୱାଟସଆପ, ସେୟର-ଚ଼ାଟ ଓ ହେଲୋ ଭଳି ମେସେଞ୍ଜର ଆପ୍ଳିକେସନରେ ୨୦ ରୁ ୨୨ କୋଟି ଉପଭୋକ୍ତା ସାମିଲ ହୋଇଥିବା ହେତୁ ସୋସିଆଲ ମିଡ଼ିଆକୁ ନିର୍ବାଚ଼ନ ପ୍ରଚ଼ାରଲାଗି ଏକ ଶକ୍ତିଶାଳୀ ମାଧ୍ୟମରୂପେ ଗଢ଼ି ତୋଳିଛି ।

 

ଦ୍ୱିତୀୟତଃ ନିର୍ବାଚ଼ନରେ ଭୋଟରମାନଙ୍କ ମଧ୍ୟରେ ଯୁବବର୍ଗର ସଂଖ୍ୟା ଅର୍ଦ୍ଧେକ ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ସୋସିଆଲ ମିଡ଼ିଆରେ ଦୈନିକ ହାରାହାରି ଦେଢ଼ଘଣ୍ଟାରୁ ଚ଼ାରିଘଣ୍ଟା ଉପସ୍ଥିତ ରହନ୍ତି । ଏହି ପରିବେଶରେ ଭୋଟରଙ୍କ ରାଜନୀତିକ ଉତ୍କଣ୍ଠାକୁ ସୋସିଆଲ ମିଡ଼ିଆ ନିର୍ବାଚ଼ନୀ ପ୍ରଚ଼ାର ଇନ୍ଧନ ଯୋଗାଇବା ସ୍ୱାଭାବିକ ।

 

ତୃତୀୟତଃ ୨୦୧୪ରେ ଅନୁଷ୍ଠିତ ୧୬ଶ ସାଧାରଣ ନିର୍ବାଚ଼ନରେ ପ୍ରଥମଥର ପାଇଁ ସୋସିଆଲ ମିଡ଼ିଆ ମଞ୍ଚ ପ୍ରଚ଼ାର ମଙ୍ଗ ଧରିଥିବାସ୍ଥଳେ ସେଥିରେ ସର୍ବାଧିକ ପ୍ରାୟ ୫୫ କୋଟି ୪୦ ଲକ୍ଷ ଭୋଟର ମତଦାନ କରିଥିଲେ ଏବଂ ଦେଶର ରାଜନୀତିକ ପ୍ରେକ୍ଷାପଟ ପରିବର୍ତ୍ତନ ସମ୍ଭବପର ହୋଇପାରିଥିଲା । ପରବର୍ତ୍ତୀ ଅବସ୍ଥାରେ ୨୦୧୮ରେ ଅନୁଷ୍ଠିତ କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲଙ୍ଗାନାରେ ଅନୁଷ୍ଠିତ ବିଧାନସଭା ନିର୍ବାଚ଼ନଗୁଡ଼ିକରେ ସୋସିଆଲ ମିଡ଼ିଆ ଯୋଗେ ପ୍ରଚ଼ାର ନୂତନ ରାଜନୀତିକ ସମୀକରଣ ସୃଷ୍ଟି କରିଥିଲା । ୧୭ଶ ସାଧାରଣ ନିର୍ବାଚ଼ନରେ ନିକଟ ଅତୀତର ଘଟଣାକ୍ରମ ପ୍ରତିଫଳନ ଆଶା କରିବା ଅସମଚୀନ ନୁହେଁ ।

 

ସମ୍ୱାଦ ଓ ଅଭିମତ ସରବରାହରେ ସୋସିଆଲ ମିଡ଼ିଆ ପାରମ୍ପରିକ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ ଓ ଚଳଚ଼ିତ୍ର ତୁଳନାରେ ବିକଳ୍ପ ଭିତ୍ତିଭୂମି ସୃଷ୍ଟି କରିବାରେ ସମର୍ଥ । ଏହା ଭୌଗଳିକ ସୀମାପାର ହୋଇ ସହରାଞ୍ଚଳଠାରୁ ଅପହଞ୍ଚ ପାର୍ବତ୍ୟାଞ୍ଚଳ ଯାଏଁ ସମକାଳରେ ବାର୍ତ୍ତା ପ୍ରସାରଣ କରିପାରେ । ଏଭଳି ମଞ୍ଚ ବ୍ୟକ୍ତିଗତସ୍ତରରେ ବ୍ୟବହୃତ ହେଉଥିବା ତଥା ସମୟ କିମ୍ୱା ପରିମାଣାତ୍ମକ କଟକଣାର ବନ୍ଧନୀ ଆବଦ୍ଧ ନଥିବା ହେତୁ ଉପଭୋକ୍ତାଙ୍କୁ ପ୍ରଭାବିତ କରିବା ପରିବେଶ ସୃଷ୍ଟି କରିପାରେ । ଉଦାହରଣରେ ଜଣେ ଉପଭୋକ୍ତା ମନୋନୀତ ଟେକ୍ସଟ, ଅଡ଼ିଓ ବା ଭିଡ଼ିଓ ବାରମ୍ୱାର ପଢ଼ି, ଶୁଣି ବା ଦେଖିପାରେ କିମ୍ୱା ସମଧର୍ମୀ ବିଷୟକୁ ହାତପାଆନ୍ତାରେ ପାଇପାରେ । ଏହି ସୁବିଧାସୁଯୋଗ ତାକୁ ରାଜନୀତିକ ଗୋଷ୍ଠୀଭୁକ୍ତ ହେବା ପଥ ସୁଗମ କରାଏ ।

 

ହ୍ୱାଟସଆପ ଭଳି ମଞ୍ଚରେ ଅଧିକାଂଶ ବାର୍ତ୍ତା ପରିଚ଼ିତ ସୂତ୍ରରୁ ପ୍ରସାରିତ ହେଉଥିବା ଯୋଗୁଁବିଶ୍ୱାସନୀୟ ପ୍ରତୀୟମାନ ହୋଇଥାଏ ଏବଂ ଗ୍ରହୀତା ସହଜରେ ତାହା ନିଜ ପରିବାର ଓ ବନ୍ଧୁଙ୍କ ଗହଣରେ ବଣ୍ଟନ କରୁଥିବା କାରଣରୁ ପ୍ରସାର ସଂଖ୍ୟା ଜ୍ୟାମିତିକ ଅନୁପାତରେ ବୃଦ୍ଧି ପାଇଲାଗେ ।

 

ରାଜନୀତିକ ପ୍ରଚ଼ାର ସଂପର୍କୀତ ବାର୍ତ୍ତାଗୁଡ଼ିକ ଭିଡ଼ିଓ ଆକାରରେ ପ୍ରସାରିତ ହେଉଥିବା ହେତୁ ତାହା ପଢ଼ିବା ତୁଳନାରେ ସହଜରେ ଦେଖି ଓ ଶୁଣି ହୁଏ ତଥା ଅଧିକାଂଶ ବାର୍ତ୍ତା ଆଞ୍ଚଳିକ ଭାଷାରେ ପ୍ରସାରିତ ହେଉଥିବା ହେତୁ ବୋଧଗମ୍ୟ ହୋଇ ପ୍ରଭାବଶାଳୀ ପାଲଟିଥାଏ ।

 

ସୋସିଆଲ ମିଡ଼ିଆରେ ନିର୍ବାଚ଼ନ ପ୍ରଚ଼ାରରେ ଦେଶର ଦୁଇ ପ୍ରମୁଖ ରାଜନୀତିକ ଦଳ ଭାରତୀୟ ଜନତା ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସ ୧୬ଶ ସାଧାରଣ ନିର୍ବାଚ଼ନ କାଳରୁ ସକ୍ରିୟ ରହିଆସିଥିଲେ ହେଁ ନିର୍ବାଚ଼ନ ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ଭାରତୀୟ ଜନତା ପାର୍ଟି କ୍ରମାଗତଭାବେ ଦଳୀୟ ପ୍ରଚ଼ାର କାର୍ଯ୍ୟରେ ସୋସିଆଲ ମିଡ଼ିଆକୁ ନିୟୋଜିତ କରିବା ଜାରୀ ରଖିଥିଲା । ଭାରତୀୟ ଜାତୀୟ କଂଗ୍ରେସ ୨୦୧୭ ମେ ମାସରୁ ନିଜ ସୋସିଆଲ ମିଡ଼ିଆ କାର୍ଯ୍ୟକ୍ରମ ପୁର୍ନବିନ୍ୟାସ କରିଥିଲା ।

 

ଭାରତୀୟ ଜନତା ପାର୍ଟିର ସୋସିଆଲ ମିଡ଼ିଆ ପ୍ରକଳ୍ପ ସହ ପରିଚ଼ିତ ସମୀକ୍ଷକମାନଙ୍କ ଅନୁଶୀଳନରେ ଦଳ ପକ୍ଷରୁ ନିର୍ବାଚ଼ନ ପ୍ରଚ଼ାର ନିମନ୍ତେ ବୁଥ୍ ସ୍ତରରେ ଭୋଟର ତାଲିକା ଆଧାରରେ ଏକାଧିକ ଗୋଷ୍ଠୀ ପ୍ରସ୍ତୁତ କରାଯାଇ ସେମାନଙ୍କୁ ସୁହାଇଲା ଭଳି ବାର୍ତ୍ତା ସୋସିଆଲ ମିଡ଼ିଆ ଯୋଗେ ନିୟମିତ ପ୍ରେରଣର ବ୍ୟବସ୍ଥା କରାଯାଉଥିବା କୁହାଯାଏ । ଏହାର ତତ୍ତ୍ୱାବଧାନ କରିବା ନିମନ୍ତେ ରାଷ୍ଟ୍ରବ୍ୟାପୀ ନଅ ଲକ୍ଷ ୨୭ ହଜାର ୫୩୩ ବୁଥରେ ଜଣେ ଲେଖା କର୍ମକର୍ତ୍ତା‘ମୋବାଇଲ ଫୋନ ପ୍ରମୁଖ’ଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଗବେଷକଙ୍କ ହିସାବରେ ପାର୍ଟିର ଜାତୀୟସ୍ତରରେ ଇନଫରମେସନ ଟେକନୋଲଜି କାର୍ଯ୍ୟଭାର ସମ୍ଭାଳିବା ପାଇଁ ୧୦୦ ରୁ ୧୫୦ ବେତନଭୋଗୀ କର୍ମଚ଼ାରୀଙ୍କୁ ନିଯୁକ୍ତି ପାଇଥିବା ସ୍ଥଳେ ଦେଶରେ ପ୍ରାୟ ବାର ଲକ୍ଷ ସ୍ୱେଚ୍ଛାସେବୀ ସୋସିଆଲ ମିଡ଼ିଆ ପରିଚ଼ାଳନାରେ ସଂପୃକ୍ତ ରହିଥିଲେ । କର୍ଣ୍ଣାଟକ ବିଧାନସଭା ନିର୍ବାଚ଼ନରେ ୮୦ ରୁ ୧୦୦ ସଭ୍ୟ ବିଶିଷ୍ଟ ୨୩ ହଜାର ହ୍ୱାଟସଆପ ଗୃପ ଗଠିତ ହୋଇଥିବା ତଥା ଉତ୍ତରପ୍ରଦେଶରେ ହ୍ୱାଟସଆପ ଗୃପରେ ୩୨ ଲକ୍ଷ ସଦସ୍ୟଙ୍କୁ ପ୍ରତ୍ୟେହ ପ୍ରଭାତରେ ବାର୍ତ୍ତା ପ୍ରେରଣ କରାଯାଉଥିବା ଚର୍ଚ୍ଚିତ ହୋଇଥିଲା ।

 

ସୋସିଆଲ ମିଡ଼ିଆ ପରିଚ଼ାଳନରେ ଭାରତୀୟ ଜନତା ପାର୍ଟି ଅନୁକରଣରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ମଧ୍ୟ ରାଷ୍ଟ୍ରୀୟ, ପ୍ରାଦେଶିକ ଓ ବୁଥସ୍ତରରେ ସଂଗଠନ କାର୍ଯ୍ୟ କରିଥିଲା । ବୁଥ ସ୍ତରରେ ଭୋଟରଙ୍କୁ ସଚ଼େତନ କରିବା ନିମନ୍ତେ କଂଗ୍ରେସ ପକ୍ଷରୁ ୯୦ ହଜାର କର୍ମୀଙ୍କୁ ନିୟୋଜିତ କରାଯିବା ସ୍ଥିର ହୋଇଥିଲା । ଉଭୟ ଦଳ ପକ୍ଷରୁ ମୁଖ୍ୟତଃ ଜଣେ ମାତ୍ର ନେତାଙ୍କୁ କେନ୍ଦ୍ର କରି ନିର୍ବାଚ଼ନୀ ପ୍ରଚ଼ାର ବାର୍ତ୍ତା ପ୍ରଯୋଜନା କରାଯାଉଥିବା ଦେଖିବାକୁ ମିଳିଥାଏ । ଉଭୟ ଦଳ ପକ୍ଷରୁ ଜାତୀୟସ୍ତରର ବାର୍ତ୍ତା ଫେସବୁକ ଓ ଟୁଇଟର ଯୋଗେ ଏବଂ ଆଞ୍ଚଳିକସ୍ତରର ବାର୍ତ୍ତା ହ୍ୱାଟସଆପ ଯୋଗେ ପ୍ରସାରିତ ହୋଇଥାଏ ।

 

ଭାରତରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ନିର୍ବାଚ଼ନୀ ପ୍ରଚ଼ାର ଅବସରରେ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଯୋଜିତ ବାର୍ତ୍ତା ହିଁ ମୁଖ୍ୟସ୍ଥାନ ଅଧିକାର କରିଥାଏ । ସାଧାରଣ ନାଗରିକଙ୍କ ନିର୍ବାଚନ ସଂପର୍କୀତ ଅଭିମତର ପୋଷ୍ଟିଂର ପରିମାଣ ନଗଣ୍ୟ । ପ୍ରାର୍ଥୀଙ୍କ ପକ୍ଷରୁ ସୋସିଆଲ ମିଡ଼ିଆରେ ବିଜ୍ଞାପନଜନିତ ଦେୟ ତାଙ୍କରି ନିର୍ବାଚ଼ନ ଖର୍ଚ୍ଚରେ ସାମିଲ ହେଉଥିବା ହେତୁ ଭାରତୀୟ ନିର୍ବାଚ଼ନ କମିସନ ପକ୍ଷରୁ ୧୭ଶ ସାଧାରଣ ନିର୍ବାଚ଼ନ ଆୟୋଜନ ଯଥେଷ୍ଟ ପୂର୍ବରୁ ଏଦିଗରେ ନୀତିନିୟମ ନିର୍ଦ୍ଧାରଣଲାଗି ତତ୍ପରତା ପ୍ରକାଶ ପାଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା, ଇଂଲ୍ୟାଣ୍ଡ, ଫ୍ରାନ୍ସ, ବ୍ରାଜିଲ ଓ କେନିଆ ସହ ଭାରତର ବିଧାନସଭା ନିର୍ବାଚ଼ନଗୁଡ଼ିକର ଅଭିଜ୍ଞତାକୁ ବିଚ଼ାରକୁ ନେଇ ସୋସିଆଲ ମିଡ଼ିଆରେ ନିର୍ବାଚ଼ନ ପ୍ରଚ଼ାର ଯେପରି ଅଣାୟତ୍ତ ଅବସ୍ଥାକୁ ଚ଼ାଲିନଯିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

 

ନିର୍ବାଚ଼ନ ତାରିଖ ଘୋଷଣାପରେ ପ୍ରାର୍ଥୀମାନଙ୍କ ପକ୍ଷରୁ ସୋସିଆଲ ମିଡ଼ିଆରେ ବିଜ୍ଞାପନ ପ୍ରଦାନ ଲାଗି କଟକଣା ପ୍ରଚଳନ କରାଯାଇଛି । ସୋସିଆଲ ମିଡ଼ିଆରେ ପ୍ରସାରିତ ପ୍ରତ୍ୟେକ ନିର୍ବାଚ଼ନୀ ବିଜ୍ଞାପନ କମିସନଙ୍କ ଦ୍ୱାରା ନିଯୁକ୍ତ କର୍ମକର୍ତ୍ତାଙ୍କ ଦ୍ୱାରା ଅନୁମୋଦିତ ହେବା ବ୍ୟବସ୍ଥା କରାଯାଇଥିଲା । ବିନା ଅନୁମୋଦନରେ କୌଣସିଟି ବିଜ୍ଞାପନ ସୋସିଆଲ ମିଡ଼ିଆ ମଞ୍ଚର ଆୟୋଜକ ସ୍ଥାନିତ ହୋଇପାରି ନଥିଲା । ସାଧାରଣ ଉପଭୋକ୍ତା ଏଭଳି ବିଜ୍ଞାପନ ସୀମିତ ମାତ୍ରାରେ ସେୟାର କରିଥିଲେ । କିନ୍ତୁ ଅଧିକ ମାତ୍ରାରେ ସେୟାର ହେଲେ ମଞ୍ଚ ପକ୍ଷରୁ ବ୍ଳକ କରିଦିଆଯାଇଥିଲା । ଅବଶ୍ୟ ଅବିକଳ ବିଜ୍ଞାପନ ବଦଳରେ ଉପଭୋକ୍ତାମାନେ ନିଜସ୍ୱ ସୃଜନରେ ଟେକ୍ସଟ, ଅଡ଼ିଓ ବା ଭିଡ଼ିଓ ପ୍ରସାରଣରେ କଟକଣା ଲାଗୁ ହୋଇନଥିଲା ।

 

ନିର୍ବାଚ଼ନୀ ବିଜ୍ଞାପନ ପରିଚ଼ାଳନାରେ ନିର୍ବାଚ଼ନ କମିସନଙ୍କୁ ସହଯୋଗ କରିବା ନିମନ୍ତେ ଦେଶରେ ସକ୍ରିୟଥିବା ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ରାଜି ହୋଇଥିଲେ । ଦେଶର ପ୍ରତ୍ୟେକ ଜିଲ୍ଲାରେ ‘ମିଡ଼ିଆ ସାର୍ଟିଫିକେସନ ଏଣ୍ଡ ମନିଟରିଂ କମିଟି’ ମାନ ଗଠିତ ହୋଇଥିଲା । ଏହି କମିଟିଗୁଡ଼ିକ ସଂପୃକ୍ତ ଅଞ୍ଚଳରେ ପ୍ରସ୍ତୁତ ସୋସିଆଲ ମିଡ଼ିଆ ବିଜ୍ଞାପନଗୁଡ଼ିକ ସମୀକ୍ଷାକରି ପ୍ରକାଶନଯୋଗ୍ୟ ଘୋଷଣାନାମା ସହ ‘ପ୍ରି-ସାର୍ଟିଫିକେସନ ନମ୍ୱର’ ପ୍ରଦାନ କରିଥିଲେ । ନିର୍ବାଚ଼ନ ଅବସରରେ ପୋଷ୍ଟ କରାଯାଉଥିବା ତଥ୍ୟାବଳୀ ପରଖିବା ନିମନ୍ତେ ମଞ୍ଚଗୁଡ଼ିକ ପକ୍ଷରୁ ବୈଷୟିକ କୌଶଳ ଉପଯୋଗ ସାଙ୍ଗକୁ ପ୍ରାୟ ୧୭,୦୦୦ ତଥ୍ୟ ତନଖି କର୍ମଚ଼ାରୀ ନିଯୁକ୍ତ କରିଥିଲେ । କମିଶନଙ୍କ ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ପୋଷ୍ଟ ସଂପର୍କରେ ନିର୍ଦ୍ଦେଶନାମାକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

 

କମିସନଙ୍କ ନିର୍ବାଚ଼ନୀ ବିଜ୍ଞାପନ ପ୍ରକାଶନ ସଂପର୍କରେ କଟକଣା ଯୋଗୁଁ ଗାଳିଗୁଲଜ, ମାନହାନୀ ତଥା ସାଂପ୍ରଦାୟିକ ଓ ଜାତିଆଣଭାବ ଉଦ୍ରେକକାରୀ ବିଜ୍ଞାପନ ପ୍ରସାରଣ କେତେକ କ୍ଷେତ୍ରରେ ବାଦ ପଡ଼ିଥିଲା ।ଜାତୀୟସ୍ତରରେ ଅସତ୍ୟ ସମ୍ୱାଦ ପ୍ରସାରଣ ରୋକାଯାଇପାରିଲେ ଆଞ୍ଚଳିକସ୍ତରରେ କଷ୍ଟସାଧ୍ୟ ହୋଇପାରେ । ସୋସିଆଲମିଡ଼ିଆ ଉପଭୋକ୍ତାଙ୍କ ବ୍ୟକ୍ତିଗତସ୍ତରରେ ରାଜନୀତିକ ଅଭିମତ ପ୍ରକାଶନ ଦେୟଯୁକ୍ତ ପ୍ରକାଶନଠାରୁ ପୃଥିକୀକରଣ ଗଣତାନ୍ତ୍ରିକ ବିଚ଼ାରବୋଧରେ ସ୍ୱଚ୍ଛତା ସୃଷ୍ଟିରେ ସହାୟକ ।ପ୍ରସ୍ତାବିତ କଟକଣା ନିର୍ବାଚ଼ନୀ ପ୍ରଚ଼ାରରେ ସୋସିଆଲମିଡ଼ିଆର ଦୁରୋପଯୋଗ ରୋକିବାରେ କେତେଦୂର ସମର୍ଥ ହେବ ତାହା ସମୟ କହିବ ।       

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୨ ମାର୍ଚ୍ଚ ୨୦୧୯


ତଥ୍ୟ:



Mahapatra, Sangeeta & Johannes Plagemann. Polarisation and politicization : the social media strategies of Indian political parties. 



<https://www.giga-hamburg.de/en/publication/polarisation-and-politicisation-the-social-media-strategies-of-indian-political-parties>

                               


‘Absence of law on social median an issue’ Business Standard (Bhubaneswar Edition) March 14, 2019.

ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ପରିଚ଼ୟ ପ୍ରକାଶନ

ଆଇନାନୁଯାୟୀ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ପରିଚ଼ୟ ଗଣମାଧ୍ୟମରେ ପ୍ରକାଶନ ଦଣ୍ଡନୀୟ ଅପରାଧ । ଯୌନ ଅପରାଧଜନିତ ଶିଶୁ ସୁରକ୍ଷା ଆଇନ ‘ପ୍ରୋଟେକ୍ସନ ଅଫ ଚିଲରେନ ଫ୍ରମ ସେକ୍ସୁଆଲ ଅଫେନ୍ସସ୍ ଆକ୍ଟ’ ଆନୁଯାୟୀ ଗଣମାଧ୍ୟମରେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ନାମ, ଠିକଣା, ଫୋଟ, ପରିବାର, ଅଧ୍ୟୟନରତ ବିଦ୍ୟାଳୟ, ବସବାସର ପାରିପାର୍ଶ୍ୱିକ ଅବସ୍ଥିତି ସଂପର୍କରେ ସୂଚ଼ନା କିମ୍ୱା ସେଭଳି ଅନ୍ୟ କିଛି ତଥ୍ୟଗତ ପରିଚ଼ିତି ପ୍ରଘଟ ସଂପର୍କୀତ ପ୍ରକାଶନ ନିଷେଧ । ଏହି ଆଇନ ଉଲଂଘନକାରୀଙ୍କୁ ବିଚ଼ାରାଳୟ ଛଅମାସ ରୁ ଦୁଇ ବର୍ଷ ଯାଏଁ ଜେଲ କିମ୍ୱା ଜରିମାନାରେ ଦଣ୍ଡିତ କରିପାରିବେ ।


 

ଉଦାହରଣରେ କୌଣସି ଦୈନିକ, ସାପ୍ତାହିକ, ପାକ୍ଷିକ ସମ୍ୱାଦପତ୍ର କିମ୍ୱା ପତ୍ରିକାରେ ନାବାଳିକା ଦୁଷ୍କର୍ମ ସଂପର୍କୀତ ସମ୍ୱାଦ ପ୍ରକାଶନକୁ ବାରଣ ନାହିଁ । କିନ୍ତୁ ସେହି ବିବରଣୀରେ ନାବାଳିକା ପୀଡ଼ିତାଙ୍କ ପରିଚ଼ୟ ପ୍ରଘଟ ହେଲେ ବିବରଣୀ ଲେଖକ, ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକରଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇ ଅଦାଲତରେ ବିଚ଼ାରଣା କରାଯାଇ ପାରିବ । ସାଧାରଣତଃ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ ଦାଖଲ ହେଲେ ପୋଲିସ ପକ୍ଷରୁ ଅପରାଧ ସଂପର୍କରେ ତଦନ୍ତ ଆଧାରରେ ସମୁଚ଼ିତ ପଦକ୍ଷେପ ନେବା ପ୍ରାବଧାନ ରହିଛି ।


 

ତେବେ ବାସ୍ତବକ୍ଷେତ୍ରରେ ଏହି ଆଇନର ଉଚ଼ିତ ଉପଯୋଗ ଦେଖିବାକୁ ମିଳି ନଥାଏ । ଦୁଷ୍କର୍ମ ସଂପର୍କୀତ ସମ୍ୱାଦ ଓ ବିବରଣୀ ପ୍ରକାଶନ କାଳରେ ପତ୍ରପତ୍ରିକାଗୁଡ଼ିକରେ ନାବାଳିକା ପୀଡ଼ିତାଙ୍କ ପରିଚ଼ିତି କିମ୍ୱା ବସବାସର ପାରିପାର୍ଶ୍ୱିକ ଅବସ୍ଥିତି ସଂପର୍କରେ ସୂଚ଼ନା ପ୍ରକାଶିତ ହେଉଥିଲେ ହେଁ ସେଭଳି ପ୍ରକାଶନଗୁଡ଼ିକ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କିମ୍ୱା ମକଦ୍ଦମା ରୁଜୁ ହୁଏ ନାହିଁ ତଥା ଦଣ୍ଡବିଧାନ ସଂଭବପର ହୋଇପାରେ ନାହିଁ । ମୁଖ୍ୟତଃ କାମଳ ସାମ୍ୱାଦିକତା ଆଶ୍ରିତ ପତ୍ରପତ୍ରିକାରେ ଆଇନ ଉଲଂଘନର ମାତ୍ରା ଅଧିକ ।


 

ସମସ୍ୟାଟିକୁ ତର୍ଜମା କଲେ ଜଣାଯାଏ ଯେ ଏଭଳି ଅପରାଧ ସଂପର୍କରେ ପୋଲିସ ନିକଟରେ କେହି ଅଭିଯୋଗ ଦଖଲ କରନ୍ତି ନାହିଁ । ସ୍ଥଳବିଶେଷରେ ପୀଡ଼ିତା ନାବାଳିକାଙ୍କ ପରିବାରବର୍ଗ ପୋଲିସ ନିକଟରେ ପହଞ୍ଚିଥାନ୍ତି । ଅନେକ କ୍ଷେତ୍ରରେ ଜଘନ୍ୟ ଅପରାଧରେ ଆକ୍ରାନ୍ତ ପରିବାର ଅପରାଧିକୁ ଚ଼ିହ୍ନଟ, ଗିରଫ ଓ ଶାସ୍ତିବିଧାନ ପ୍ରକ୍ରିୟାରେ ମନୋନିବେଶ କରୁଥିବା ସ୍ଥଳେ ଗଣମାଧ୍ୟମଜନିତ ଅପରାଧକୁ ଭୁଲିଯାଆନ୍ତି । ଅପରପକ୍ଷେ ପତ୍ରପତ୍ରିକାରେ ଅପରାଧ ସଂପର୍କରେ ଚର୍ଚ୍ଚା ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକାରାନ୍ତେ ସହଯୋଗ କରୁଥିବା ସେମାନଙ୍କ ହୃଦବୋଧ ହୋଇଥାଏ । ତେଣୁ ପ୍ରକାଶିତ ସମ୍ୱାଦ ଓ ବିବରଣୀର ସୁକ୍ଷ୍ମାତିସୁକ୍ଷ୍ମ ବିଶ୍ଳେଷଣପ୍ରତି ପୀଡ଼ିତା ପରିବାରର ଧ୍ୟାନ ଆକର୍ଷିତ ହୁଏନାହିଁ ।


 

ଅବଶ୍ୟ ଯେକୌଣସି ସଚ଼େତନ ନାଗରିକ କିମ୍ୱା ନାଗରିକ ସମାଜ ଏହିଭଳି ଅପରାଧ ସଂପର୍କରେ ପୋଲିସରେ ଫେରାଦ ହୋଇପାରିବେ । ତେବେ ଆମ ସମାଜରେ ସାମ୍ୱାଦିକତାରେ ନୈତିକତା ପ୍ରତିଷ୍ଠାଲାଗି ବ୍ୟକ୍ତିଗତ କିମ୍ୱା ସାମୂହିକସ୍ତରରେ ଆଇନଗତ ପଦକ୍ଷେପ ଗ୍ରହଣ ନିମନ୍ତେ ପରିବେଶ ସୃଷ୍ଟି ହୋଇପାରିନାହିଁ । ଶେଷରେ ସାମ୍ୱାଦିକତା ବୃତ୍ତିଭିତ୍ତିକ ସଂଗଠନଗୁଡ଼ିକ ନିଜ ସଦସ୍ୟମାନଙ୍କ ଦ୍ୱାରା ଆଇନ ଉଲଂଘନ ଅବସରରେ ଅନ୍ତତଃପକ୍ଷେ ତାଗିଦ କରିବା ବିଧେୟ । କିନ୍ତୁ ସେଭଳି ଉଦାହରଣ ମଧ୍ୟ ଦେଖିବାକୁ ମିଳିନଥାଏ ।


 

ଭାରତୀୟ ଗଣମାଧ୍ୟମରେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ପରିଚ଼ୟ ପ୍ରକାଶନ ଏବଂ ଏଭଳି ଅପରାଧ ନିମନ୍ତେ ପ୍ରକାଶକମାନେ ଦଣ୍ଡିତ ନହେଉଥିବା ହେତୁ ସୁପ୍ରିମ କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।ନ୍ୟାୟମୂର୍ତ୍ତୀ ମଦନ ଲେକୁର ଓ ନ୍ୟାୟମୂର୍ତ୍ତୀ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଜାତୀୟସ୍ତରରେ ସାମ୍ୱାଦିକତାରେ ନୈତିକତା ସହ ସଂପୃକ୍ତ ଥିବା ଚ଼ାରିଗୋଟି ଶୀର୍ଷ ଅନୁଷ୍ଠାନ ପ୍ରେସ କାଉନସିଲ ଅଫ ଇଣ୍ଡିଆ, ନିଉଜ ବ୍ରଡ଼କାଷ୍ଟିଂ ଷ୍ଟାଣ୍ଡାର୍ଡସ ଅଥାରିଟି, ଇଣ୍ଡିଆନ ବ୍ରଡ଼କାଷ୍ଟିଂ ଫାଉଣ୍ଡେସନ ଓ ଏଡ଼ିଟର୍ସ ଗିଲଡ଼କୁ ଏଭଳି ସମସ୍ୟା ସମାଧାନ ଦିଗରେ ସେମାନଙ୍କ ଭୂମିକା ସଂପର୍କରେ କୈଫିୟତ ଦେବା ନିମନ୍ତେ ନୋଟିସ ଜାରି କରିଥିଲେ । ଏହି ଅନୁଷ୍ଠାନଗୁଡ଼ିକର ସଦସ୍ୟଭୁକ୍ତ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ପରିଚ଼ୟ ପ୍ରକାଶ କଲେ ଏବଂ ସେଭଳି ଘଟଣା ସେମାନଙ୍କ ଦୃଷ୍ଟିକୁ ଅଣାଗଲେ ନ୍ୟାୟିକ ପ୍ରକ୍ରିୟାରେ ସଂପୃକ୍ତି ନିମନ୍ତେ ପୋଲିସଠାରେ ଅଭିଯୋଗ ବାଢ଼ିବେ କି ବୋଲି ନିର୍ଦ୍ଧିଷ୍ଟ ଭାବେ ପ୍ରଶ୍ନ ପଚ଼ାରିଥିଲେ ।


 

ପ୍ରେସ କାଉନସିଲ ଅଫ ଇଣ୍ଡିଆ ନିଜ ସ୍ୱୀକାରୋକ୍ତିରେ ଦର୍ଶାଇଛି ଯେ କାଉନସିଲର କାର୍ଯ୍ୟଧାରା ଏଥି ନିମନ୍ତେ ପ୍ରଯୁଜ୍ୟ ଆଇନରେ ପର୍ଯ୍ୟବସିତ । ମୁଦ୍ରଣ ଗଣମାଧ୍ୟମରେ ଅପରାଧିକ ଘଟଣା ସଂପର୍କରେ ଅବଗତ ହେଲେ ହେଁ ଏ ସଂପର୍କରେ ପୋଲିସରେ ଅଭିଯୋଗ ଦାଖଲ କରିବା ପ୍ରାବଧାନ ଆଇନରେ ସୂଚ଼ିତ ହୋଇନାହିଁ । ତେବେ ଏଭଳି ସ୍ୱର୍ଶକାତର ପ୍ରସଙ୍ଗ ସଂପର୍କରେ ଅପରାଧି ପ୍ରକାଶକଙ୍କୁ ଦଣ୍ଡିତକରିବା ନିମନ୍ତେ କାଉନସିଲ ଆଗ୍ରହୀ । ଆଇନାନୁଯାୟୀ କ୍ଷମତା ପ୍ରଦାନ କରାଗଲେ କାଉନସିଲ ପଦକ୍ଷେପ ଗ୍ରହଣ ନିମନ୍ତେ କୁଣ୍ଠା ପ୍ରକାଶ କରିବ ନାହିଁ ।


 

ନିଉଜ ବ୍ରଡ଼କାଷ୍ଟିଂ ଷ୍ଟାଣ୍ଡର୍ଡସ ଅଥାରିଟି ପକ୍ଷରୁ ଅଦାଲତ ସମ୍ମୁଖରେ କୁହାଯାଇଛି ଯେ ଗତ ଦଶବର୍ଷ ମଧ୍ୟରେ ପ୍ରାଧିକରଣ ନିକଟରେ ସର୍ବମୋଟ ୨୯୦୦ ଅଭିଯୋଗ ଦାଖଲ ହୋଇଥିଲା ଏବଂ ସେଥିମଧ୍ୟରୁମାତ୍ର ୧୮ ଗୋଟି ଅଭିଯୋଗ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ପରିଚ଼ୟ ପ୍ରଘଟନ ସଂପର୍କୀତ ।ପ୍ରାଧିକରଣ ପକ୍ଷରୁ ୧୦ ଗୋଟି ଅଭିଯୋଗର ତର୍ଜମା କରି ୭ ଗୋଟି ଚ୍ୟାନେଲକୁ ଭବିଷ୍ୟତରେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ପରିଚ଼ୟ ପ୍ରକାଶନରେ ସଂଯତ ରହିବା ଲାଗି ଏବଂ ୩ ଗୋଟି ଚ୍ୟାନେଲକୁ ସର୍ବସାଧାରଣରେ କ୍ଷମା ମାଗିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା ।


 

ଏଡ଼ିଟର୍ସ ଗିଲଡ଼ ପକ୍ଷରୁ ସୁପ୍ରିମ କୋର୍ଟକୁ ଜଣାଇ ଦିଆଯାଇଛି ଯେ ଏହାର ସଦସ୍ୟ ଗଣମାଧ୍ୟମମାନେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ପରିଚ଼ୟ ପ୍ରକାଶନ କଲେ ତାଙ୍କରି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କିମ୍ୱା ପୋଲିସଠାରେ ଅଭିଯୋଗ କରିବା ସଂପର୍କରେ ସଂଗଠନର ସମ୍ୱିଧାନରେ ଉଲ୍ଲେଖ ହୋଇନାହିଁ ।କେବଳ କୌଣସି ସଦସ୍ୟ ଗଣମାଧ୍ୟମ ନୈତିକତା ଆଧାରରେ ଦୋଷୀ ସାବ୍ୟସ୍ତ ହେଲେ ତାହାର ସଦସ୍ୟ ପଦ ରଦ୍ଦ କରିଦିଆଯିବା ନିୟମ ରହିଛି ।


 

ହୁଏତ ସାମ୍ୱାଦିକତା ବୃତ୍ତିଗତ ଜାତୀୟସ୍ତରର ଶୀର୍ଷ ସଂଗଠନଗୁଡ଼ିକର ସ୍ୱୀକାରୋକ୍ତି ସୁପ୍ରିମକୋର୍ଟର ଉଦ୍ଦେଶ୍ୟ ଚ଼ରିତାର୍ଥରେ ସହାୟକ ହୋଇପାରି ନାହିଁ । ରାଷ୍ଟ୍ରରେ ପ୍ରଚଳିତ ଆଇନର ସଦ୍ଉପଯୋଗ ନିମନ୍ତେ ବିଚ଼ାରଳୟ ଉଦବେଗ ପ୍ରକାଶ କରିଥିବା ସ୍ଥଳେ ପ୍ରଚଳିତ ଧାରାରେ କୌଣସି ନିର୍ଯ୍ୟାସ ବାହାରିପାରି ନାହିଁ । ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ପରିଚ଼ୟ ପ୍ରକାଶନରେ ଆଇନ ଉଲଂଘନକାରୀଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ବିଚ଼ାରାଳୟ ପକ୍ଷରୁ ଅନୁଧ୍ୟାନ କରାଯାଇ ଗଣମାଧ୍ୟମ ନିମନ୍ତେ ଆଚ଼ରଣ ସଂହିତା ପ୍ରସ୍ତୁତ କରାଯିବା ଆଶା କରାଯାଉଛି ।


 

ନାବାଳିକା ଦୁଷ୍କର୍ମ ପୀଡ଼ିତା କାହିଁକି ଯେକୌଣସି ବୟସର ଦୁଷ୍କର୍ମ ପୀଡ଼ିତାଙ୍କ ପରିଚ଼ୟ ଗଣମାଧ୍ୟମରେ ପ୍ରକାଶ କରିବା ଅନୁଚ଼ିତ । ଭାରତୀୟ ପିଙ୍ଗଳ କୋଡ଼ର ଧାରା ୨୨୮(କ) ଅନୁଯାୟୀ ଏଭଳି ପ୍ରକାଶନ ଦଣ୍ଡନୀୟ ଅପରାଧ । ଏତଦ୍ବ୍ୟତୀତ ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରତି ସାମ୍ୱାଦିକମାନେ ସମ୍ୱେଦନଶୀଳ ରହିବା ଆବଶ୍ୟକ । ତେବେ ଏହି ଆଇନ ସଂପର୍କରେ ସାମ୍ୱାଦିକମହଲରେ ସଚ଼େତନତା ଅଭାବରୁ ଅନେକ କ୍ଷେତ୍ରରେ ଦୁଷ୍କର୍ମ ପୀଡ଼ିତାଙ୍କ ପରିଚ଼ୟ ଗଣମାଧ୍ୟମରେ ପ୍ରଘଟ ହୋଇଥାଏ । ଆମ ଦେଶରେ ସାମ୍ୱାଦିକତା ତାଲିମକୁ ଉଚ଼ିତ ଗୁରୁତ୍ୱ ଦିଆନଯାଉଥିବା ସାମ୍ୱାଦିକତାରେ ନୈତିକତା ହ୍ରାସର କାରଣ ପାଲଟୁଛି । ଗଣମାଧ୍ୟମ ମଞ୍ଚଗୁଡ଼ିକର ଅସନ୍ତୁଳନ ବୃଦ୍ଧି ତଥା ଅନଭିଜ୍ଞ ସାମ୍ୱାଦିକମାନଙ୍କଦ୍ୱାରା ସଂବାଦ ସଂସ୍ଥା ପରିଚ଼ାଳନା ପରିସ୍ଥିତିକୁ ଜଟିଳ କରିପକାଉଛି ।


 

ଆଇନ ଉଲଂଘନକାରୀ ଅଦାଲତ ପରିସରକୁ ନ ଆସୁଥିବା ହେତୁ ଏଭଳି ତୃଟିପୂର୍ଣ୍ଣ ସାମ୍ୱାଦିକତା ସଂପର୍କରେ ସାମ୍ୱାଦିକମହଲରେ ସାବଧାନତା ସୃଷ୍ଟି ହୋଇପାରୁ ନାହିଁ । ଉଚ୍ଚ ନ୍ୟାୟାଳୟ ଏଦିଗରେ ଗୁରୁତ୍ୱାରୋପ କରିଥିବା ସାମ୍ୱାଦିକତାର ଗୁଣବତ୍ତା ବିକାଶରେ ସହାୟକ ହେବା ଆଶା କରାଯାଇପାରେ । ବିଶେଷକରି ସାମାଜିକ ଗଣମାଧ୍ୟମର ବିକାଶ ଅବସରରେ ସମାଜର ସମ୍ୱେଦନଶୀଳ ପ୍ରସଙ୍ଗଗୁଡ଼ିକ ଚର୍ଚ୍ଚା ନିମନ୍ତେ ଉଦ୍ଦିଷ୍ଟ ଆଇନାବଳୀ ଓ ନୈତିକତା ସଂପର୍କରେ ଜନ ସଚ଼େତନତାର ଜରୁରି ଆବଶ୍ୟକତା ଆନୁଭୂତ ହୋଇଥାଏ ।        

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଡ଼ିସେମ୍ୱର ୨୦୧


ତଥ୍ୟ:



Choudhary, AmitAnand. Can’t prosecute media houses for naming rape survivors, Editor’s Guild tells SC. The Times of India.(Bhubaneswar Edition). November 29, 2018


 

Guide to rape reporting. http://asu.thehoot.org/resources/reporting-rape

ଟିକଟକ ନିଷେଧାଦେଶ

ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚରେ ଏକ ଜନସ୍ୱାର୍ଥ ମାମଲା ବିଚ଼ାର କରାଯାଇ ସୋସିଆଲ ମିଡ଼ିଆ ମଞ୍ଚ ଟିକଟକ ଆପର ଦେଶବ୍ୟାପୀ ଡ଼ାଉନଲୋଡ଼ ନିଷେଧ ଆଦେଶ ଏବଂ ପରବର୍ତ୍ତୀ ଅବସ୍ଥାରେ ଅନ୍ତରୀଣ ରାୟ ପ୍ରତ୍ୟାହାର ଭାରତରେ ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଅଭିବ୍ୟକ୍ତିର ସ୍ୱାଧୀନତା ଓ ଅଦାଲତଙ୍କ ହସ୍ତକ୍ଷେପ ସଂପର୍କରେ ବିତର୍କର ଅବକାଶ ସୃଷ୍ଟି କରିଛି ।


 

ଟିକଟକ ଏକ ମୋବାଇଲ ଆପ୍ଲିକେସନ । ଫେସବୁକଭଳିଏହି ମଞ୍ଚରେ ଅଂଶଗ୍ରହଣକାରୀ ବ୍ୟକ୍ତିବିଶେଷ ନିଜସ୍ୱ ଅଭିବ୍ୟକ୍ତି ପ୍ରକାଶନ କରିବା ସୁଯୋଗ ଉପଲବ୍ଧ । ଉପଭୋକ୍ତାମାନେ ତିନିରୁ ପନ୍ଦର ସେକେଣ୍ଡ ଅବଧିର ନୃତ୍ୟଗୀତ ଭିଡ଼ିଓ କ୍ଳିପ ପୋଷ୍ଟ କରିପାରନ୍ତି । ଭିଡ଼ିଓ କ୍ଳିପ ପ୍ରସ୍ତୁତି ନିମନ୍ତେ ପ୍ରଚ୍ଛଦପଟ ସଂଗୀତ ଓ ସଂପାଦନା କରିବା ବୈଷୟିକ ସାଧନ ଆପରେ ସଂଯୋଜିତ । ମନପସନ୍ଦର ସ୍ୱରଚ଼ୟନ କରି ସଂଗୀତର ତାଳେ ତାଳେ ନିଜର ନୃତ୍ୟଭଙ୍ଗୀସ୍ମାର୍ଟଫୋନ ଯୋଗେ ଭିଡ଼ିଓ ଉତ୍ତୋଳନ ତଥା ସମ୍ପାଦନା କରି ପୋଷ୍ଟିଂ କରାଯାଇଥାଏ ।


 

ପ୍ରତ୍ୟେକ ଉପଭୋକ୍ତାଙ୍କ ରୁଚ଼ି ଅନୁଯାୟୀ ସେ ପୋଷ୍ଟ କରୁଥିବା ଭିଡ଼ିଓ ସର୍ବସାଧାରଣରେ ପ୍ରଦର୍ଶିତ ହୋଇପାରେ କିମ୍ୱା ନିଜର ନିର୍ବାଚ଼ିତ ବନ୍ଧୁ‘ଫ୍ରେଣ୍ଡସ’ଙ୍କ ଗହଣରେ ପ୍ରଦର୍ଶନ ସୀମାବଦ୍ଧ ରହିପାରେ । ପୋଷ୍ଟଗୁଡ଼ିକ ସଂପର୍କରେ ଦର୍ଶକମାନେ କମେଣ୍ଟ ଲେଖିବା ତଥା ନିଜଦ୍ୱାରା ପ୍ରସ୍ତୁତ ଡୁଏଟ ଭିଡ଼ିଓ ପୋଷ୍ଟିଂ କରିବା ସୁବିଧା ରହିଛି ।


 

ଚୀନରେ ୨୦୧୬ରେ ବିକଶିତ ଭିଡ଼ିଓ ସେଆରିଂ ଆପ୍ଲିକେସନ ‘ଡ଼ାଉୟିନ’ ଆନ୍ତର୍ଜାତିକସ୍ତରରେ ୨୦୧୭ରେ ଟିକଟକରୂପେ ପ୍ରସାରିତ ହୋଇଥିଲା । ପୂର୍ବରୁ ପ୍ରସିଦ୍ଧିଲାଭ କରିଥିବା ଚୀନର ସମଧରଣର‘ମ୍ୟୁଜିକାଲ-ଲି’କୁ ଟିକଟକ ଅଧିଗ୍ରହଣ କରିନେଲା । ଟିକଟକ ଖୁବ୍ କମ ସମୟ ମଧ୍ୟରେ ବିଶ୍ୱବ୍ୟାପୀଆଦୃତ ହୋଇପାରିଥିଲା । ଏକ ହିସାବ ଅନୁଯାୟୀ ୨୦୧୮ ସୁଦ୍ଧା ପ୍ରାୟ ୫୦ କୋଟି ଟିକଟକ ଆପ ଡ଼ାଉନଲୋଡ଼ ହୋଇଥିବା ସ୍ଥଳେ ୧୫୦ ରାଷ୍ଟ୍ରରେ ୭୫ ଗୋଟି ଭାଷାରେ ଉପଲବ୍ଧ । ଭାରତରେ ଓଡ଼ିଆ ସମେତ ବଙ୍ଗାଳୀ, ଗୁଜରାଟୀ, ହିନ୍ଦି, କନ୍ନଡ଼, ମରାଠୀ, ତାମିଲ ଓ ତେଲୁଗୁ ଇତ୍ୟାଦି ଭାଷାରେ ଏହି ଆପର ବ୍ୟବହାର ସମ୍ଭବପର ।


 

ଟିକଟକ ମୁଖ୍ୟତଃ କିଶୋର ବୟସର ଉପଭୋକ୍ତାଙ୍କ ମଧ୍ୟରେ ଲୋକପ୍ରିୟ । ଏହି ମଞ୍ଚ ବ୍ୟବହାର ଶିଶୁ ଓ କିଶୋର ବର୍ଗରେ ପ୍ରତିକୂଳ ପ୍ରଭାବ ଅନୁଭୂତ ହେଉଥିବା ସମାଲୋଚ଼ନାବିଶ୍ୱର ବିଭିନ୍ନ ପ୍ରାନ୍ତରେ ସୁସ୍ୱଷ୍ଟ । ଅଳ୍ପବୟସ୍କ ୧୩ ବର୍ଷରୁ କମ ଉପଭୋକ୍ତାଙ୍କ ସଂପର୍କରେ ବ୍ୟକ୍ତିଗତ ତଥ୍ୟାବଳୀ ସଂଗ୍ରହ ଅଭିଯୋଗରେ ଯୁକ୍ତରାଷ୍ଟ୍ର ଆମେରିକାରେ ଟିକଟକକୁ ଦଣ୍ଡିତ କରାଯାଇଛି । ଇଣ୍ଡୋନସିଆରେ ଏହି ଆପ ବ୍ୟବହାର ୨୦୧୮ ଜୁଲାଇରୁ କିଛି ସମୟଲାଗି ବନ୍ଦ ରହିଥିଲା । ୨୦୧୮ ନଭେମ୍ୱରରେ ବାଂଲାଦେଶରେ ନିଷିଦ୍ଧ କରାଯାଇଛି । ୨୦୧୯ ଫେବୃୟାରୀ ମାସରେ ଭାରତରେ ବହୁ ରାଜନୀତିକ ନେତୃବର୍ଗ ଏହାର ନକାରତ୍ମକ ପ୍ରଭାବ ସଂପର୍କରେ ସମାଲୋଚ଼ନା କରିଥିଲେ ।


 

ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚରେ ୨୦୧୯ ଏପ୍ରିଲ ୩ ତାରିଖ ଦିନ ଟିକଟକ ମଞ୍ଚରେ ଶିଶୁ ଓ କିଶୋରବର୍ଗଙ୍କ ମଧ୍ୟରେ ଅଶାଳୀନତା, ଯୌନାଚ଼ାର ଓ ଅପସଂସ୍କୃତି ପ୍ରଦର୍ଶନ ଉତ୍ସାହିତ କରାଯାଉଥିବା ହେତୁ ଏହାର ପ୍ରସାର ରୋକିବା ନିମନ୍ତେ ପ୍ରାର୍ଥନାକରି ଉପସ୍ଥାପିତ ଏକ ଜନସ୍ୱାର୍ଥ ମାମଲା ବିଚ଼ାର କରାଯାଇଥିଲା । ଖଣ୍ଡପୀଠ ପକ୍ଷରୁ ଅନ୍ତରୀଣ ଆଦେଶରେ ଟିକଟକ ଆପର ଡ଼ାଉନଲୋଡ଼କୁ ରୋକିବା ଓ ଏହି ସୋସିଆଲ ମିଡ଼ିଆ ମଞ୍ଚରେ ସ୍ଥାନିତ ଭିଡ଼ିଓଗୁଡ଼ିକୁ ଅନ୍ୟାନ୍ୟ ଗଣମାଧ୍ୟମରେ ପ୍ରସାରଣ ବାରଣ କରିବା ଆଦେଶ ସଙ୍ଗେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିଶୁମାନଙ୍କ ବ୍ୟକ୍ତିଗତ ଗୋପନୀୟତା ସୁରକ୍ଷା ଦିଗରେ ଆଇନ ପ୍ରସ୍ତୁତ କରିବା ନିମନ୍ତେ ଉଦ୍ୟମ ହେଉଛିକି ବୋଲି  ପ୍ରଶ୍ନ ପଚ଼ାରିଥିଲେ ।


 

ଇନଫରମେସନ ଟେକନୋଲଜି ଆକ୍ଟ ଅନୁଯାୟୀ ସୋସିଆଲ ମିଡ଼ିଆ ଟିକଟକ ଏକ ମଧ୍ୟସ୍ଥି । ଏହାର ମଞ୍ଚରେ ଅସଂଖ୍ୟ ଉପଭୋକ୍ତା ନିଜଦ୍ୱାରା ପ୍ରସ୍ତୁତ ଭିଡ଼ିଓ ପ୍ରଦର୍ଶନ କରିଥାନ୍ତି । ଆଇନର ଧାରା ୭୯ ଅନୁଯାୟୀ ମଞ୍ଚରେ ପ୍ରଦର୍ଶନ ନିମନ୍ତେ ମଧ୍ୟସ୍ଥିକୁ ସର୍ବୋତ୍ତଭାବେ ଦାୟୀ କରାଯାଇପାରିବ ନାହିଁ । ଯଦି ମଧ୍ୟସ୍ଥି ଅନ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କେବଳ ପ୍ରସାରଣ କରୁଥାନ୍ତି, ଅଦାଲତ ଓ ସରକାରଙ୍କ ନିର୍ଦ୍ଦେଶାବଳୀ ମାନୁଥାନ୍ତି ଏବଂ କୌଣସି ବେନିୟମ କାର୍ଯ୍ୟକଳାପରେ ସଂପୃକ୍ତ ନୁହନ୍ତି, ତେବେ ତୃଟିପୂର୍ଣ୍ଣ ପ୍ରଦର୍ଶନ ନିମନ୍ତେ ଦୋଷୀ ସାବ୍ୟସ୍ତ ହୋଇପାରିବେ ନାହିଁ ।


 

ଅଦାଲତଙ୍କ ଟିକଟକ ନିଷେଧାଦେଶ ଦେଶବ୍ୟାପୀ ବିଭିନ୍ନସ୍ତରରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଅପସଂସ୍କୃତି ରୋକିବା ଦିଗରେ ଏଭଳି ରାୟ ଏକ ଫଳପ୍ରଦ ପଦକ୍ଷେପ ବୋଲି କେତେକେ ବିଚ଼ାର କରୁଥିବା ସ୍ଥଳେ ସମ୍ୱିଧାନଦ୍ୱାରା ସୁରକ୍ଷିତ ଅଭିବ୍ୟକ୍ତିରେ ସ୍ୱାଧୀନତାର ଉଲଂଘନ ବୋଲି ଅନ୍ୟମାନେ ଆପତ୍ତି ଉଠାଇଥିଲେ  । ‘ଇଣ୍ଟରନେଟ ଫ୍ରିଡ଼ମଫାଉଣ୍ଡେସନ’ ପକ୍ଷରୁ କେନ୍ଦ୍ର ସରକାରଙ୍କ ଇଲକ୍ଟ୍ରୋନିକ୍ସ ଏଣ୍ଡ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟକୁ ପତ୍ର ଲେଖି ଏଭଳି ଆଚ଼ରଣ ଭବିଷ୍ୟତରେ ଅନଲାଇନମଞ୍ଚଗୁଡ଼ିକରସ୍ୱାଧୀନତାକୁ ବିପନ୍ନ କରିଦେବ ବୋଲି ଉଦବେଗ ପ୍ରକାଶ କରାଯାଇଥିଲା ।


 

ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ଖଣ୍ଡପୀଠର ରାୟ ସ୍ଥଗିତ ରଖିବା ନିମନ୍ତେ ଟିକଟକରସଂଚ଼ାଳକ‘ବାଇଟଡ଼େନ୍ସଟେକନୋଲଜି’ର ଅପିଲକୁ ସୁପ୍ରିମ କୋର୍ଟ ଓ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଥିଲେ । ଫଳତଃ ଏପ୍ରିଲ ୧୭ ତାରିଖରେ ଗୁଗୁଲ ଓ ଏପଲପ୍ଲେଷ୍ଟୋରଭାରତରେ ଟିକଟକ ଆପ ଡ଼ାଉନଲୋଡ଼ ବ୍ୟବସ୍ଥା ନିଜ ନିଜ ମଞ୍ଚରୁ ହଟାଇ ଦେଇଥିଲେ । ତେବେ ନାଟକୀୟ ମୋଡ଼ରେ ସୁପ୍ରିମ କୋର୍ଟ ଏପ୍ରିଲ ୨୪ ତାରିଖ ମଧ୍ୟରେ ଟିକଟକ ସଂପର୍କରେ ମାଡ୍ରାସ ହାଇକୋର୍ଟରେ ମାମଲାର ଚୁଡ଼ାନ୍ତ ରାୟ ନ ପ୍ରକାଶ ପାଇଲେ ନିଷେଧାଦେଶ ସ୍ୱତଃପ୍ରବୃତ୍ତଭାବେ ଉଠିଯିବ ବୋଲି ଆଶ୍ୱାସନା ଦେଇଥିଲେ  । ମାଡ୍ରାସ ହାଇକୋର୍ଟ ପକ୍ଷରୁ ଏପ୍ରିଲ ୨୪ ତାରିଖରେ ଟିକଟକ ଆପ ଡ଼ାଉନଲୋଡ଼ଅନ୍ତରୀଣ ନିଷେଧାଦେଶ ପ୍ରତ୍ୟାହାର କରିନେବା ଫଳରେ ମାମଲାର ପରିସମାପ୍ତି ଘଟିଥିଲା ।


 

ତେବେ କ୍ରମବିକଶିତ ସୋସିଆଲ ମିଡ଼ିଆ ଆଙ୍ଗୀକରେ ଊନବିଂଶ ଶତାଦ୍ଦୀରୁ ମୁଦ୍ରଣ ଗଣମାଧ୍ୟମ ଲାଗି ପ୍ରଣୀତ ଆଇନାବଳୀ ଉପଯୋଗ କେତେଦୂର ଯଥାର୍ଥ ଏବଂ ଅଦାଲତଙ୍କ ପକ୍ଷରୁ ତତ୍କ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣୀୟ ସେଦିଗରେ ବିଚ଼ାର ବିମର୍ଷର ଅବକାଶ ସୃଷ୍ଟି ହୋଇଛି । ଦେଶର ସମ୍ୱିଧାନ ଅଭିବ୍ୟକ୍ତିରେ ସ୍ୱାଧୀନତାକୁ ପ୍ରାଥମିକତା ଦେଇଛି ଏବଂ ସୁପ୍ରିମ କୋର୍ଟ ସୋସିଆଲ ମିଡ଼ିଆ ପ୍ରସଙ୍ଗରେ ଉଭୟ ପୋଲିସ ଓ ନିମ୍ନ ଅଦାଲତଗୁଡ଼ିକୁ ସତର୍କତା ଅବଲମ୍ୱନ କରିବା ସପକ୍ଷରେ ପରମର୍ଶ ଦେଇଆସିଛି । ପରିବର୍ତ୍ତିତ ସାମାଜିକ ଧାରା, ଗଣମାଧ୍ୟମ ପରିବେଶ ଓ ଅତ୍ୟାଧୁନିକ ବୈଷୟିକ କାରିଗରୀ କୌଶଳ ସଂପର୍କରେ ସଚ଼େତନତା ବିନା ତରବରିଆ କିମ୍ୱା ଏକପାଖିଆ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନାଗରିକ ସମାଜ, ପ୍ରଶାସନ ଓ ଅଦାଲତଙ୍କ ପକ୍ଷେ ସମୀଚ଼ିନ ନୁହେଁ ।         

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୦ ମେ ୨୦୧


ତଥ୍ୟ:



SC may consider plea against order on TikTok. The Hindu (Cuttack Edition) April 9, 2019.


 

TikTokban : Internet Freedom Foundation writes to MeitY, terms bans disproportionate. The Economic Times. April 17, 2019. 



<https://economictimes.indiatimes.com/tech/internet/tik-tok-ban-internet-freedom-foundation-writes-to-meity-terms-bans-disproportionate/printarticle>


 

TikTok Ban. (Editorial) The Times of India (Bhubaneswar Edition). April 18, 2019.


 

Grover, Gurshabad. Why the TikTok ban is worrying. The Hindustan Times. May 2, 2019 



<https://www.hindustantimes.com/analysis/why-the-tiktok-ban-is-worrying/story-9Q7Gpv9t1Uxavd8hYJnjDO.html>

ନ୍ୟାୟାଳୟରେ ଟ୍ୟୁଟର

ସୋସିଆଲ ମିଡ଼ିଆ ‘ଟୁଇଟର’ ନିଜସ୍ୱ ମଞ୍ଚରେ ପ୍ରକାଶିତ ରଚନା, ଚ଼ିତ୍ର ଓ ଦୃଶ୍ୟ ଇତ୍ୟାଦି ହଟାଇ ନେବା, ଉପଭୋକ୍ତାଙ୍କ ବିବରଣୀ ପ୍ରଶାସନକୁ ଜଣାଇବା ଏବଂ ଏକାଉଣ୍ଟ ବାତିଲ କରିବା ଭଳି ସରକାରୀ ନିର୍ଦ୍ଦେଶାବଳୀର ବିରୋଧ କରିଥାଏ । ଏହି କ୍ଷେତ୍ରରେ ଆଇନ ଓ ଆଚ଼ରଣ ସଂହିତା ପ୍ରଣୟନ ଫଳରେ ପ୍ରଶାସନିକ ଆଦେଶ ପାଳନ ଲାଗି ଡିଜିଟାଲ ମଞ୍ଚଗୁଡ଼ିକ ବାଧ୍ୟ ହୋଇଥାନ୍ତି । ତେବେ କଟକଣା ପରିମାଣ ବୃଦ୍ଧି ଓ କ୍ଷମତାର ଦୂରୋପଯୋଗ ଅଭିଯୋଗରେ ନ୍ୟାୟଗତ ସହାୟତା ନିମନ୍ତେ ଉଦ୍ୟମ ଲାଗି ‘ଟୁଇଟର’ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଥିବା ଗଣମାଧ୍ୟମ ସମୀକ୍ଷକମାନେ ଅନୁମାନ କରନ୍ତି ।

 

‘ଟୁଇଟର’ ପକ୍ଷରୁ ୨୦୨୨ ଜୁନ ପ୍ରଥମ ସପ୍ତାହରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ସୋସିଆଲ ମିଡ଼ିଆ ମଞ୍ଚରେ ପ୍ରକାଶନ ଅପସାରଣ କାର୍ଯ୍ୟବିଧି ସମୀକ୍ଷା କରିବା ନିମନ୍ତେ ପ୍ରାର୍ଥନା ଆବେଦନ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଆଇନଗତ ପଦକ୍ଷେପର ବିଶଦ ବିବରଣୀ ପ୍ରକାଶିତ ହୋଇନଥିଲା । ତେବେ ତଥ୍ୟାଭିଜ୍ଞଙ୍କ ସୂଚନା ମୁତାବକ କେନ୍ଦ୍ର ସରକାରଙ୍କ ‘ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟ’ପକ୍ଷରୁ ଜୁନ ୨୭ରେ ଜାରି କରାଯାଇଥିବା କଡ଼ା ନିର୍ଦ୍ଦେଶନାମାକୁ କେନ୍ଦ୍ର କରି ଆଇନଗତ ସହାୟତା ଲୋଡ଼ାଯାଇଥାଇପାରେ । କେତେକ ଆପତ୍ତିଜନକ ପ୍ରକାଶନକୁ ହଟାଇବା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ତେବେ ତାହା କାର୍ଯ୍ୟକାରୀ କରିବାରେ ‘ଟୁଇଟର’ ପକ୍ଷରୁ ବିଳମ୍ୱ ହେବା ଅବସରରେ ଜୁଲାଇ ୪ ତାରିଖ ସୁଦ୍ଧା ସାରିବାକୁ ଶେଷ ସୁଯୋଗ ଦିଆଯାଇଥିବା ଉଲ୍ଲେଖ କରି ବିଜ୍ଞପ୍ତି ଜାରି କରାଯାଇଥିବା ପ୍ରକାଶ ।

 

‘ଇନଫରମେସନ ଟେକନୋଲଜି ଆକ୍ଟ ୨୦୦୦’ ଅନୁଯାୟୀ ଟୁଇଟର, ଫେସବୁକ, ହ୍ୱାଟସଆପ ଭଳି ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ସେଥିରେ ପ୍ରକାଶିତ ପାଠ୍ୟ, ଚ଼ିତ୍ର ଓ ଦୃଶ୍ୟର ପ୍ରକାଶକ ବଦଳରେ ମଧ୍ୟସ୍ଥି ‘ଇଣ୍ଟରମିଡ଼ିଏରି’ ବିଚାର କରାଯାଏ । ମୂଳ ପାଠ୍ୟ, ଚ଼ିତ୍ର ଓ ଦୃଶ୍ୟ ପୋଷ୍ଟ କରିଥିବା ଉପଭୋକ୍ତା ପ୍ରକାଶକ ନିର୍ଦ୍ଧାରିତ ହୋଇଥାନ୍ତି । ତେବେ ଆକ୍ଟର ୬୯(ଏ) ଅନୁଯାୟୀ ସରକାରଙ୍କ ପକ୍ଷରୁ ପ୍ରଶାସନ କିମ୍ୱା ନ୍ୟାୟାଳୟ ଆପତ୍ତିଜନକ ପ୍ରକାଶନଗୁଡ଼ିକୁ ହଟାଇନେବା, ପ୍ରକାଶକଙ୍କ ସଂପର୍କରେ ସୂଚ଼ନା ପ୍ରଦାନ କିମ୍ୱା ନିର୍ଦ୍ଦିଷ୍ଟ ଉପଭୋକ୍ତାଙ୍କ ଆକାଉଣ୍ଟ ବାତିଲ କରିବା ନିମନ୍ତେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ଆଦେଶ ଦେଇପାରିବେ । ନିର୍ଦ୍ଧାରିତ ସମୟ ମଧ୍ୟରେ ମଞ୍ଚ ପକ୍ଷରୁ ଉଚ଼ିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ଆଇନ ଅନୁଯାୟୀ ‘ମଧ୍ୟସ୍ଥି’ ବଦଳରେ ସେମାନଙ୍କୁ ‘ପ୍ରକାଶକ’ ଭାବେ ଅଭିହିତ କରାଯିବ ବୋଲି ଚେତାବନୀ ‘ଟୁଇଟର’କୁ ଦିଆଯାଇଥାଇପାରେ ।

 

ଭାରତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୧ ଆରମ୍ଭରେ ‘ଇନଫରମେସନ ଟେକନୋଲଜି ରୁଲସ’ ଓ ‘ଡ଼ିଜିଟାଲ ମିଡ଼ିଆ ଏଥିକ୍ସ କୋଡ଼’ ଲାଗୁ କରାଯାଇଥିଲା । ସେଥିରେ ଅନଲାଇନ ସୂଚ଼ନା ଓ ସମ୍ୱାଦ ପ୍ରସାରକମାନଙ୍କୁ ସରକାର କିମ୍ୱା ଅଦାଲତ ପକ୍ଷରୁ କୌଣସି ଅନଲାଇନ ପ୍ରକାଶନ ବାତିଲ ନିର୍ଦ୍ଦେଶ ଦିଆଯିବାପରେ ୩୬ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ କରିବା ନିମନ୍ତେ ନିୟମ ରହିଛି । ଏକ ପକ୍ଷରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ଏଦିଗରେ ଟାଳଟୁଳ ନୀତି ଗ୍ରହଣ କଲେ ପ୍ରଶାସନିକସ୍ତରରେ କଡ଼ା କାର୍ଯ୍ୟାନୁଷ୍ଠାନ ଚ଼େତାବନୀ ଦିଆଯାଉଛି । ଅପରପକ୍ଷେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରୁ ଅଭିଯୋଗ କରାଯାଉଛି ଯେ ଅବିଚାରିତ ଭାବେ ଏକତରଫା ଉପଭୋକ୍ତାଙ୍କ ପ୍ରକାଶନ ବାତିଲ କରିବା, ଏକାଉଣ୍ଟ ରଦ୍ଦ କରିବା ଭଳି ପଦକ୍ଷେପ ମୁକ୍ତ ଅଭିବ୍ୟକ୍ତିର ବିରୁଦ୍ଧାଚରଣ କରୁଛି । କୁହାଯାଉଛି ଅନ୍ତତଃପକ୍ଷେ ଉପଭୋକ୍ତଙ୍କ ପ୍ରକାଶନ ବା ଏକାଉଣ୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ସେମାନଙ୍କୁ ସମସ୍ୟା ସଂପର୍କରେ ଅବଗତ ନକରାଇବା ଅନ୍ୟାୟ ।

 

ଭାରତ ସରକାରଙ୍କ ସୋସିଆଲ ମିଡ଼ିଆ ନୀତି ସହ ‘ଟୁଇଟର’ ପକ୍ଷରୁ ମୁହାଁ ମୁହିଁ ଲାଗି ରହିଛି । ଫେବୃୟାରୀ ୨୦୨୨ରେ ‘ଟୁଇଟର’ରେ ସରକାର ବିରୋଧୀ ପ୍ରକାଶନ ନିମନ୍ତେ ୫୦୦ ଏକାଉଣ୍ଟ ରଦ୍ଦ କରାଯିବା ଅବସରରେ ଟଣା ଓଟରା ଦେଖିବାକୁ ମିଳିଥିଲା । ‘ଟୁଇଟର’ ପକ୍ଷରୁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଆବେଦନ ପୂର୍ବରୁ କେନ୍ଦ୍ର ସରକାରଙ୍କ ‘ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟ’ ପ୍ରଦତ୍ତ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇଥିବା ପ୍ରକାଶ । ତେବେ ସରକାରୀ ନିର୍ଦ୍ଦେଶନାମା ଅସଂଗତ ଏବଂ ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ପ୍ରାର୍ଥନା କରାଯାଇଥିବା ଅନୁମାନ କରାଯାଇଥିଲା । ଆଇନାବଳୀକୁ କଦର୍ଥ କରି ପ୍ରଶାସନିକସ୍ତରରେ ଉପଯୋଗ ହେଉଥିବା ଧାରାକୁ ବିରୋଧ କରି ଅଭିଯୋଗ ଉପସ୍ଥାପନ ସୁସ୍ପଷ୍ଟ ।

 

‘ଟୁଇଟର’ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ କେନ୍ଦ୍ର ସରକାରଙ୍କ ‘ଇଲକ୍ଟ୍ରୋନିକ୍ସ ଏଣ୍ଡ ଇନଫରମେସନ ଟେକନଲୋଜି’ ବିଭାଗ ଦାୟିତ୍ୱ ତୁଳାଉଥିବା ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ ସରକାରୀ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ‘ଟୁଇଟର’ ଘଟଣାବଳୀକୁ ଉଲ୍ଲେଖ କରିନଥିଲେ ହେଁ ଏଭଳି ପରିବେଶରେ ସେମାନଙ୍କ ଦୃଷ୍ଟିଭଙ୍ଗୀର ସମ୍ୟକ ସୂଚ଼ନା ଦେଇଥିଲେ । ବିଭାଗୀୟ ମନ୍ତ୍ରୀଙ୍କ ବକ୍ତବ୍ୟରେ ପାଞ୍ଚଗୋଟି ବିଷୟ ଅବତାରଣା କରାଯାଇଥିଲା ।

 

ପ୍ରଥମତଃ, ସମକାଳରେ ସୋସିଆଲ ମିଡ଼ିଆର ବ୍ୟାପ୍ତି ତଥା ବହୁ ସଂଖ୍ୟକ ନାଗରିକଙ୍କ ସହ ସଂପୃକ୍ତି କାରଣରୁ ଗୁରୁତ୍ୱପୂର୍ଣ୍ଣ । ଦ୍ୱିତୀୟତଃ, ସୋସିଆଲ ମିଡ଼ିଆ ଉତ୍ତରଦାୟୀ ରହିବା ଆବଶ୍ୟକ । ଏହି ଦିଗରେ ଆଇନାବଳୀ ଉପଯୋଗ ନିମନ୍ତେ ବିଶ୍ୱବ୍ୟାପୀ ଉଦ୍ୟମ ଚାଲିଛି । ତୃତୀୟତଃ, ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ଆତ୍ମ-ନିୟନ୍ତ୍ରଣ ‘ସେଲଫ ରେଗୁଲେସନ’ ଧାରାରେ ପରିଚାଳିତ ହେବା ଶୁଭଙ୍କର । କିନ୍ତୁ ଆବଶ୍ୟକ ସ୍ଥଳେ ସରକାରଙ୍କ ହସ୍ତକ୍ଷେପ ଜରୁରୀ । ଚ଼ତୁର୍ଥତଃ, ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ଉପଭୋକ୍ତାଙ୍କ ସୃଜନ ‘କଣ୍ଟେଣ୍ଟ’ ଦ୍ୱାରା ଲାଭବାନ ହେଉଥିବା ଅବସରରେ ସର୍ଜନଶୀଳ ‘କଣ୍ଟେଣ୍ଟ କ୍ରିଏଟର’ମାନେ କିପରି ଉପକୃତ ହୋଇପାରିବେ ସେଦିଗରେ ଧ୍ୟାନ ଦେବା ଆବଶ୍ୟକ । ପଞ୍ଚମତଃ, ଦେଶର ନୀତି ନିୟମ ସମସ୍ତେ ସମଭାବରେ ପାଳନ କରିବା ଅପରିହାର୍ଯ୍ୟ ।

 

ଇଲେକ୍ଟ୍ରୋନିକ୍ସ ଏଣ୍ଡ ଇନଫରମେସନ ଟେକନୋଲଜି ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ଭାରତରେ ସମସ୍ତ ଦେଶଜ ଓ ବୈଦେଶିକ ପ୍ରତିଷ୍ଠାନ ସରକାରୀ ଆଇନକାନୁନର ସମୀକ୍ଷା ନିମନ୍ତେ ନ୍ୟାୟାଳୟର ଆଶ୍ରୟ ନେବା ଆଇନସମ୍ମତ୍ତ । ହିସାବରୁ ଜଣାଯାଏ ଯେ ଆମଦେଶରେ ପ୍ରାୟ ଦୁଇ କୋଟି ୪୦ ଲକ୍ଷ ‘ଟୁଇଟର’ ମଞ୍ଚରେ ଅବତୀର୍ଣ୍ଣ । ଫେସବୁକ, ହ୍ୱାଟସଆପ ଓ ୟୁଟ୍ୟୁବ ତୁଳନାରେ ‘ଟୁଇଟର’ର ଉପଭୋକ୍ତା ସଂଖ୍ୟା ଅଧିକ ନହେଲେ ହେଁ ସାମାଜିକ ନେତୃତ୍ୱ ଗ୍ରହଣ କରୁଥିବା ରାଜନୀତିଜ୍ଞ, ବ୍ୟବସାୟୀ ଓ ବୁଦ୍ଧିଜୀବୀଙ୍କ ଗହଣରେ ଆଦର ଥିବା ହେତୁ ସଂପୃକ୍ତ ମଞ୍ଚର ଗତିବିଧି ଗୁରୁତ୍ୱ ବହନ କରିଥାଏ ।

 

ଟୁଇଟର, ଫେସବୁକ ଓ ଅନ୍ୟ କେତେକ ସୋସିଆଲ ମିଡ଼ିଆ ମଞ୍ଚ ପକ୍ଷରୁ ସାମୟିକଭାବେ ସେମାନେ କେତେ ସଂଖ୍ୟାରେ ସରକାରୀ ନିର୍ଦ୍ଦେଶନାମା ଅନୁପାଳନରେ ଉପଭୋକ୍ତାଙ୍କ ସଂପର୍କରେ ସୂଚନା ପ୍ରଦାନ ବା ପ୍ରକାଶନ ରଦ୍ଦ କରିଛନ୍ତି ତାହାର ବିବରଣୀ ପ୍ରକାଶ କରିଥାନ୍ତି । ଇଂଲିଶ ବ୍ୟାବସାୟିକ ସମ୍ୱାଦପତ୍ର ‘ବିଜିନେସ ଷ୍ଟାଣ୍ଡାର୍ଡ’ରେ ପ୍ରକାଶିତ ଏକ ହିସାବ ଅନୁଯାୟୀ ‘ଟୁଇଟର’ ପକ୍ଷରୁ ମହାମାରୀ-ପୂର୍ବ ଡ଼ିସେମ୍ୱର ୨୦୧୯ ସୁଦ୍ଧା ଷଡ଼ମାସିକ ଅବଧିରେ ୬୫୦ ଗୋଟି ଉପଭୋକ୍ତାଙ୍କ ସୂଚ଼ନା ଓ ୫୫୦ ଗୋଟି ପ୍ରକାଶନ ରଦ୍ଦ କରାଯାଇଥିବା ସ୍ଥଳେ ମହାମାରୀ-ପର ଜୁନ ୨୦୨୧ ଷଡ଼ମାସିକ ଅବଧିରେ ସେହିଭଳି ସରକାରୀ ନିର୍ଦ୍ଦେଶ ଯଥାକ୍ରମେ ୪,୮୦୦ ଓ ୨,୮୦୦କୁ ବୃଦ୍ଧି ପାଇଥିଲା ।

 

କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟରେ ‘ଟୁଇଟର’ର ଆବେଦନ ସୋସିଆଲ ମିଡ଼ିଆ ପରିସରରେ ଅଭିବ୍ୟକ୍ତିର ସ୍ୱାଧୀନତା ଓ ସାମାଜିକ ଦାୟବଦ୍ଧତା ପ୍ରଶ୍ନର ଉତ୍ତର ଖୋଜି ବାହାର କରିବା ଦିଗରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବା ଆଶା କରାଯାଏ । ଗଣମାଧ୍ୟମ ସମୀକ୍ଷକଙ୍କ ମତରେ ଏହିଭଳି ନ୍ୟାୟିକ ଲଢ଼େଇର ଫଳାଫଳ ସୀମାପାର ଆନ୍ତର୍ଜାତିକସ୍ତରରେ ପ୍ରଭାବ ବିସ୍ତାର କରିବ । ଉଦାରପନ୍ଥୀ ବ୍ରିଟେନ ଓ ୟୁରୋପୀୟ ରାଷ୍ଟ୍ରପୁଞ୍ଜ ସୋସିଆଲ ମିଡ଼ିଆ ନିୟନ୍ତ୍ରଣ ନିମନ୍ତେ ସଜବାଜ ହେଉଥିବା ଅବସରରେ ଭାରତଭଳି ବୃହତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନ୍ୟାୟିକ ଦୃଷ୍ଟିକୋଣ ସୁଦୂରପ୍ରସାରୀ ବିଚାର କରାଯାଏ । ଅବଶ୍ୟ ୨୦୨୨ ବର୍ଷ ଆରମ୍ଭରେ ଗଣମାଧ୍ୟମ ପୂର୍ବାନୁମାନରେ ଏହି ଭଳି ସଂଘର୍ଷପୂର୍ଣ୍ଣ ପରିବେଶ ଆଶା କରାଯାଉଥିଲା ଏବଂ ଭବିଷ୍ୟତରେ ପରିବ୍ୟାପ୍ତ ହେବା ଆକଳନ ଅସମଚୀନ ନୁହେଁ ।          

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୨୨


ତଥ୍ୟ:



Twitter moves HC against content takedown orders. Business Standard  (Bhubaneswar Edition) July 06, 2022

 

Som, Vishnu. What Twitter argues in its case vs Centre on blocking content. NDTV.com. July 05, 2022

 

https://www.ndtv.com/india-news/what-twitter-argues-in-its-case-vs-centre-on-blocking-content-3129996

 

Mampatta, Sachin P. ‘Take it down’. India’s requests to social media firms at record high. Business Standard (Bhubaneswar Edition) July 07, 2022

 

Twitter takedown fight becomes a test case. The Telegraph (Kolkata Edition) July 08, 2022. 

ଟୁଇଟର ଅପିଲ ଖାରଜ 

ବହୁ-ରାଷ୍ଟ୍ରୀୟ ସାମାଜିକ ଗଣମାଧ୍ୟମ ମଞ୍ଚ ‘ଟୁଇଟର’ ଭାରତ ସରକାରଙ୍କ ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟପକ୍ଷରୁ ଉପଭୋକ୍ତାଙ୍କ ପ୍ରକାଶନ ଅପସାରଣ, ଏକାଉଣ୍ଟ ବନ୍ଦ ଓ ଆଚ଼ରଣଗତ ତଥ୍ୟ ପ୍ରଦାନ ଭଳି ଆଦେଶ ପ୍ରତିବାଦରେ ଜୁଲାଇ ୨୦୨୨ରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଅପିଲ ଦାୟର କରିଥିଲା । ଏହା ଦୀର୍ଘ ବର୍ଷେ କାଳ ବିଚାରଣାପରେ ଜୁନ ୨୦୨୩ରେ ଖାରଜ ହେବା ସ୍ଥାନୀୟ ସାମାଜିକ ଗଣମାଧ୍ୟମ ପରିଧିରେ ଏକ ଉଲ୍ଲେଖନୀୟ ଅଧ୍ୟାୟ ।

 

ଇନଫରମେସନ ଟେକନୋଲଜି ଆକ୍ଟ ୨୦୦୦ ଟୁଇଟର, ଫେସବୁକ, ହ୍ୱାଟସଆପ, ୟୁଟ୍ୟୁବ ଭଳି ମଞ୍ଚରେ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ସ୍ଥାନିତ କରାଯିବା ଅବସରରେ ଉପଭୋକ୍ତାଙ୍କୁ ‘ପ୍ରକାଶକ’ଭାବେ ଚ଼ିହ୍ନିତ କରିଥାଏ । ଅର୍ଥାତ, ପ୍ରକାଶିତ ଉପାଦାନ ନିମନ୍ତେ ଆଇନତଃ ଦାୟୀ ରହିବେ । ଏହି କ୍ଷେତ୍ରରେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକୁ ମଧ୍ୟସ୍ଥି ବା ‘ଇଣ୍ଟରମିଡ଼ିଆରି’ ଭାବେ ଗ୍ରହଣ କରାଯାଏ । ଧାରା ୬୯(କ) ଅନୁଯାୟୀ ସରକାର ଆପତ୍ତିଜନକ ପ୍ରକାଶନଗୁଡ଼ିକୁ ଅପସାରଣଲାଗି ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକୁ ନିର୍ଦ୍ଦେଶ ଦେଇପାରିବେ । ସେମାନେ ଏହି ଆଦେଶ ଅମାନ୍ୟ କଲେ ଆଇନାନୁଯାୟୀ ଉପଭୋଗ କରୁଥିବା ‘ମଧ୍ୟସ୍ଥି’ ସୁବିଧା-ସୁଯୋଗ ହରାଇବେ । ଅର୍ଥାତ, ଉପଭୋକ୍ତଙ୍କ ଦ୍ୱାରା ପ୍ରକାଶିତ ଉପାଦାନର ‘ପ୍ରକାଶକ’ ବିବେଚ଼ିତ ହେବେ ଏବଂ ସେଥିରେ ତୃଟିଥିଲେ ଦୋଷୀ ସାବ୍ୟସ୍ତ ହେବେ ।

 

କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୧ରେ ‘ଇନଫରମେସନ ଟେକନୋଲଜି ରୁଲସ’ ଏବଂ ‘ଡ଼ିଜିଟାଲ ମିଡ଼ିଆ ଏଥିକ୍ସ କୋଡ଼’ ପ୍ରକାଶିତ ହୋଇଥିଲା । ଏଥିରେ ଉଲ୍ଲେଖ ଅଛି ଯେ ସରକାରଙ୍କ ପକ୍ଷରୁ ସାମାଜିକ ଗଣମାଧ୍ୟମ ମଞ୍ଚରେ ଉପାଦାନ ଅପସାରଣ ନିମନ୍ତେ ନିର୍ଦ୍ଦେଶାବଳୀ ଦିଆଯିବା ପରେ ତୁରନ୍ତ କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ । ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟ ପକ୍ଷରୁ ଫେବୃୟାରୀ ୨୦୨୨ରେ ପାଞ୍ଚ ଶହ ‘ଟୁଇଟର’ ଏକାଉଣ୍ଟ ପ୍ରତ୍ୟାହାର କରିବା ନିମନ୍ତେ ନିର୍ଦ୍ଦେଶକୁ ‘ଟୁଇଟର’ ପକ୍ଷରୁ ବିରୋଧ କରାଯାଇଥିଲା । ଏଥି ପୂର୍ବରୁ ୨୦୨୧ରେ ଚାଷୀ ଆନ୍ଦୋଳନ ସମୟରେ ମଧ୍ୟ ଆନ୍ଦୋଳନକାରୀଙ୍କ ଟୁଇଟକୁ ନେଇ ବିବାଦ ଉପୁଜିଥିଲା । ମନ୍ତ୍ରଣାଳୟ ପକ୍ଷରୁ ବକେୟା ରହିଥିବା ସମସ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ନିମନ୍ତେ ୪ ଜୁଲାଇ ୨୦୨୨ ସୀମାଧାର୍ଯ୍ୟ କରିବା ପରେ ସମସ୍ତ ନିର୍ଦ୍ଦେଶନାମାଗୁଡ଼ିକୁ କାର୍ଯ୍ୟକାରୀ କରି ସରକାରୀ କାର୍ଯ୍ୟଧାରା ବିରୁଦ୍ଧରେ ‘ଟୁଇଟର’ ମଞ୍ଚ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା ।

 

ଅଦାଲତ ଦରଖାସ୍ତରେ ‘ଟୁଇଟର’ ପକ୍ଷରୁ ମୁଖ୍ୟତଃ ଦର୍ଶାଯାଇଥିଲା ଯେ କୌଣସି ଉପଭୋକ୍ତଙ୍କ ଦ୍ୱାରା ପ୍ରକାଶିତ ଉପାଦାନ ଅପସାରଣ ପୂର୍ବରୁ କିମ୍ୱା ଏକାଉଣ୍ଟ ବ୍ଳକ କରିବା ପୂର୍ବରୁ ଏ ସଂପର୍କରେ ସଂପୃକ୍ତ ପକ୍ଷଙ୍କୁ ନୋଟିସ ଜାରୀ କରିବା ଏବଂ ସେମାନଙ୍କ କୈଫୟତ ବିଚାର କରିବା ଯୁକ୍ତିଯୁକ୍ତ । ସରକାରୀ ନିର୍ଦ୍ଦେଶରେ ଏକତରଫା କାର୍ଯ୍ୟାନୁଷ୍ଠାନ ଉପଭୋକ୍ତଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ କରିବ । ତେବେ ଅଦାଲତ ପକ୍ଷରୁ ସ୍ପଷ୍ଟ ଭାବେ ସୂଚାଇ ଦିଆଗଲା ଯେ ଆଇନାନୁଯାୟୀ ସରକାରୀ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ନିମନ୍ତେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ବାଧ୍ୟ । ଇନଫରମେସନ ଟେକନୋଲଜି ଆକ୍ଟ ୨୦୦୦ର ଧାରା ୬୯(କ) ଅନୁଯାୟୀ ରାଷ୍ଟ୍ରର ସାର୍ବଭୌମତ୍ୱ, ଐକ୍ୟ, ପ୍ରତିରକ୍ଷା, ସୁରକ୍ଷା, ବୈଦେଶିକ ବନ୍ଧୁରାଷ୍ଟ୍ରଙ୍କ ସହ ସଂପର୍କ ଓ ସାମାଜିକ ସହବସ୍ଥାନରେ ଆଞ୍ଚ ପହୁଞ୍ଚାଇବା ଅଭିପ୍ରାୟ ପ୍ରଣୋଦିତ ଉପାଦାନଗୁଡ଼ିକ ଅନଲାଇନ ମଞ୍ଚରୁ ଅପସାରଣଲାଗି ସରକାର ନିର୍ଦ୍ଦେଶନାମା ଜାରୀ କରିପାରିବେ ।

 

କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତିପରେ ଦୀର୍ଘ ଅତୀତରୁ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଉପଭୋକ୍ତଙ୍କ ପ୍ରକାଶନ, ମଧ୍ୟସ୍ଥିଙ୍କ ଦାୟିତ୍ୱ ଓ ସରକାରଙ୍କ କ୍ଷମତାର ତ୍ରିକୋଣ ବିବାଦ କେତେମାତ୍ରାରେ ପ୍ରଶମିତ ହୋଇଥିବା ବିଶ୍ୱାସ କରାଯାଏ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ନୂତନ ଇନଫରମେସନ ଟେକନୋଲଜି ଆଇନ ନିମନ୍ତେ ଏହି ସ୍ପଷ୍ଟୀକରଣ ଉପଯୋଗୀ ହେବ । ଆନ୍ତର୍ଜାତିକସ୍ତରରେ ସାମାଜିକ ଗଣମାଧ୍ୟମ ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ପ୍ରଚଳିତ ହେବା ପ୍ରାୟ ଦଶ ବର୍ଷ ଉତ୍ତାରେ ଦ୍ୱିତୀୟ ଦଶକରେ ଭାରତରେ ସ୍ମାର୍ଟଫୋନର ପ୍ରସାର ଓ ଇଣ୍ଟରନେଟ ବ୍ୟବହାର ନିମନ୍ତେ ଡ଼ାଟା ଦର ହ୍ରାସ ପରେ ସ୍ଥାନୀୟ ଜନଜୀବନରେ ଗୁରୁତ୍ୱ ଲାଭ କରିଥିଲା । ଏହି ଦିଗରେ ସରକାରଙ୍କ ପକ୍ଷରୁ ନୀତି ନିୟମ ପ୍ରଣୟନରେ ସତର୍କତା ଅବଲମ୍ୱନ କରାଯାଉଥିଲେ ସୁଦ୍ଧା ବହୁଳ ସାମାଜିକ ଗଣମାଧ୍ୟମ ଉପଭୋକ୍ତା କାରଣରୁ ବାରମ୍ୱାର ସାମାଜିକ ସମସ୍ୟା ସୃଷ୍ଟି ହେଉଥିବା ଉଦାହରଣର ଅଭାବ ନଥାଏ ।

 

କ୍ରମବର୍ଦ୍ଧିଷ୍ଣୁ ପ୍ରଯୁକ୍ତି କୌଶଳ ‘ଇନଫରମେସନ ଟେକନୋଲଜି’ ତଥା ସାମାଜିକ ଗଣମାଧ୍ୟମରେ ନିଜ କର୍ତ୍ତୃତ୍ୱ ଜାହିର କରିବାରେ ଦେଶର ପାରମ୍ପରିକ ଆଇନାବଳୀ ସହାୟକ ହୋଇଥାଏ । ଭାରତର ସମ୍ୱିଧାନର ଧାରା ୧୯(୨), ପ୍ରେସ ଏଣ୍ଡ ରେଜିଷ୍ଟ୍ରେସନ ଅଫ ବୁକ୍ସ ଏକ୍ଟ ୧୮୬୭, ମାନହାନୀ, ସରକାରୀ ଗୋପନୀୟତା, ଅଦାଲତ ଅବମାନନା ଭଳି ମୌଳିକ ଆଇନାବଳୀ ଆଧାରରେ ଅତ୍ୟାଧୁନିକ ଅନଲାଇନ ପରିବେଶକୁ ନିୟନ୍ତ୍ରିତ କରାଯାଇପାରୁଛି । ବ୍ରିଟିଶ ଶାସନ ଅମଳରେ ପ୍ରଣୀତ ଶାସକଙ୍କ ପକ୍ଷରୁ ଶାସିତଙ୍କ ଲାଗି ଉଦ୍ଦିଷ୍ଟ ଆଇନାବଳୀ ଅତ୍ୟନ୍ତ ଶକ୍ତିଶାଳୀ ଥିବା ଏବଂ ଭାରତର ଜନସାଧାରଣ ସେହି ଶୃଙ୍ଖଳରେ ଅଭ୍ୟସ୍ତ ହୋଇ ସାରିଥିବା ହେତୁ ପ୍ରାୟତଃ ଜନଜୀବନରେ ଆଇନ ଉପଯୋଗକୁ ନେଇ ସଂଘର୍ଷ ଉପୁଜେ ନାହିଁ ।

 

ଭାରତରେ ଇଣ୍ଟରନେଟ ପ୍ରସାରର ପାଞ୍ଚ ବର୍ଷ ପରେ ପ୍ରଣୀତ ଇନଫରମେସନ ଟେକନୋଲଜି ଆକ୍ଟ ୨୦୦୦ ବ୍ୟତୀତ ସାମାଜିକ ଗଣମାଧ୍ୟମ ନିୟନ୍ତ୍ରଣ ଲାଗି କୌଣସି ନୂତନ ଆଇନ ପ୍ରଣୟନ ବଦଳରେ କେବଳ କେତେକ ନିୟମ ‘ଇନଫରମେସନ ଟେକନୋଲଜି ରୁଲସ ୨୦୨୧’ ବିଜ୍ଞପ୍ତି ଆକାରରେ ପ୍ରକାଶ ପାଇଥିଲା । ଏଥିରେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସରକାରୀ ନିର୍ଦ୍ଦେଶନାମା ପ୍ରକାଶନର ୩୬ ଘଣ୍ଟା ମଧ୍ୟରେ ଉପଭୋକ୍ତାଙ୍କ ଦ୍ୱାରା ସ୍ଥାନୀତ ଉପାଦାନ ହଟାଇବା ଲାଗି ପ୍ରାବଧାନ ରହିଛି । ଏହି କ୍ଷେତ୍ରରେ ବ୍ୟତିକ୍ରମ ତଥା ଟାଳଟୁଳ ନୀତି ଅବଲମ୍ୱନ କରି ସମୟ ଅବଧି ବଢାଇବାକୁ ବାରଣ କରିବାରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ପ୍ରଭାବିତ କରିବା ଆଶା କରାଯାଇପାରେ ।

 

ବିଶେଷଜ୍ଞଙ୍କ ମତରେ ସମକାଳରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଉପାଦାନଗୁଡ଼ିକ ଖୁବ କମ ସମୟ ମଧ୍ୟରେ ‘ଭାଇରାଲ’, ଅର୍ଥାତ ଜଣେ ଉପଭୋକ୍ତଙ୍କଠାରୁ ଅନ୍ୟ ବହୁ ସଂଖ୍ୟକ ଉପଭୋକ୍ତାଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ପ୍ରତିବିମ୍ୱିତ ହୋଇ ଖୁବ କମ ସମୟ ମଧ୍ୟରେ ଗୁରୁତ୍ୱ ହରାଇଥାଏ । ଗବେଷଣାରୁ ଜଣାଯାଏ ଯେ ଏକ ସର୍ଟ ଭିଡ଼ିଓ ମାତ୍ର ୧୨ ଦିନ ଯାଏଁ ଭାଇରାଲ ହେବା ଶକ୍ତି ବହନ କରେ । ଅତଏବ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ କୌଣସି ଆପତ୍ତିଜନକ ଉପାଦାନ ଠାବ ହେଲେ ତାହାର ତୁରନ୍ତ ଅପସାରଣ ମଧ୍ୟସ୍ଥିଙ୍କ କାର୍ଯ୍ୟପରିସରଭୁକ୍ତ । ଏହି କ୍ଷେତ୍ରରେ ବିଳମ୍ୱ ଅପସାରଣ ନିର୍ଦ୍ଦେଶନାମାର ଉଦ୍ଦେଶ୍ୟ ଚରିତାର୍ଥ ହୋଇପାରିବ ନାହିଁ । କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ଅପସାରଣରେ ବିଳମ୍ୱ ନିମନ୍ତେ ‘ଟୁଇଟର’କୁ ୫୦ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଥିଲେ ।

 

ଭିନ୍ନ ଏକ ଦୃଷ୍ଟିକୋଣରେ ‘ଟୁଇଟର’ ଏକ ଯୁକ୍ତରାଷ୍ଟ୍ର ଆମେରିକା-କେନ୍ଦ୍ରୀକ ବିଦେଶୀ କମ୍ପାନୀ । ତେଣୁ ଭାରତୀୟ ନାଗରିକଙ୍କ ସମ୍ୱିଧାନଗତ କ୍ଷମତା ଉପଭୋଗ କରିବା ନିମନ୍ତେ ଅନୁପଯୁକ୍ତ । ଏହି କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରଚଳନ ସପକ୍ଷରେ କେତେକ ଯୁକ୍ତି ବାଢ଼ିଥାନ୍ତି । ଦେଶର ନୂତନ ନିୟମାବଳୀ ସାମାଜିକ ଗଣମାଧ୍ୟମ ପରିଚାଳନା କ୍ଷେତ୍ରରେ ଉପଭୋକ୍ତାଙ୍କ ସ୍ୱାର୍ଥ ସଂରକ୍ଷଣ ଲାଗି ତ୍ରି-ସ୍ତରୀୟ ବ୍ୟବସ୍ଥା ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି । ପ୍ରଥମ ପାଦରେ ଉପଭୋକ୍ତଙ୍କ ଅଭାବ ଅଭିଯୋଗ ସମାଧାନ ନିମନ୍ତେ ପଚାଶ ଲକ୍ଷରୁ ଉର୍ଦ୍ଧ୍ୱ ଉପଭୋକ୍ତା ପଞ୍ଜୀକରଣ ହୋଇଥିବା ସମସ୍ତ ମଞ୍ଚ ପକ୍ଷରୁ ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତି, ଦ୍ୱିତୀୟ ପାଦରେ ଉପଭୋକ୍ତାଙ୍କ ଅପିଲର ସମାଧାନ ଲାଗି ‘ସେଲଫ-ରେଗୁଲେଟରି ଅର୍ଗାନାଇଜେସନ’ ଏବଂ ତୃତୀୟ ପାଦରେ ସରକାରୀ ପ୍ରତିନିଧିଯୁକ୍ତ ‘ଗ୍ରୀଭେନ୍ସ ଆପଲେଟ କମିଟି’ ଉପଭୋକ୍ତା-କେନ୍ଦ୍ରୀକ ସମସ୍ୟାଗୁଡ଼ିକର ସମାଧାନ କରିପାରିବା ବିଚାର କରାଯାଉଛି ।

 

କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ବିଚାରଣା କାଳରେ ‘ଟୁଇଟର’ର ମାଲିକାନା ପରିବର୍ତ୍ତନ ହୋଇଛି । ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସ୍ଥାନୀୟ ନୀତିନିୟମ ମାନି ଚଳିବା ଆବଶ୍ୟକ ବୋଲି ନୂତନ ମାଲିକ ପ୍ରକାଶ କରିଛନ୍ତି । ଏହି ଦୃଷ୍ଟିରୁ ‘ଟୁଇଟର’ ଓ ସରକାରଙ୍କ ମଧ୍ୟରେ ବିବାଦର ଅନ୍ତ ଘଟିଛି ବୋଲି କହିବାକୁ ହେବ ।           

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୧ ଜୁଲାଇ ୨୦୨


ତଥ୍ୟ:

 

Lele, Sourabh. Karnataka HC verdict on Twitter to turn the tables for online platforms: Experts. Business Standard. (Bhubaneswar Edition). June 03, 2023.

 

Lele, Sourabh. MeitY may go for govt-backed GAC on social media content. Business Standard (Bhubaneswar Edition). August 11, 2022. 

ଅନଲାଇନ ପ୍ରମୁଖଙ୍କ ଉପରେ ଲେଭି ଦାବୀ

ଇଣ୍ଟରନେଟର ବ୍ୟାପ୍ତି ଫଳରେ ପାଶ୍ଚାତ୍ୟ ଭୂଖଣ୍ଡରେ ମୁଦ୍ରଣ ଓ ଟେଲିଭିଜନ ସଂବାଦ ଶିଳ୍ପର ବ୍ୟାବସାୟିକ ଢ଼ାଞ୍ଚା ‘ମଡ଼େଲ’ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି । ପାରମ୍ପରିକଭାବେ ମୁଦ୍ରଣ ଓ ଟେଲିଭିଜନ ସଂବାଦ ଶିଳ୍ପ ବିଜ୍ଞାପନ ରାଜସ୍ୱ ପରିପୃଷ୍ଟ ମଡ଼େଲରେ ବିକଶିତ ହୋଇଆସିଥିଲା । ପରିବର୍ତ୍ତିତ ପରିସ୍ଥିତିରେ ବିଜ୍ଞାପନରୁ ଆୟ କମିଯିବା ଫଳରେ ପ୍ରକାଶନ ଓ ପ୍ରସାରଣ ପରିଚ଼ାଳନା କରିବା ସମସ୍ୟାବହୁଳ ହୋଇପଡ଼ିଲା ।


 

ପଞ୍ଚଦଶ ଶତାଦ୍ଦୀର ମଧ୍ୟଭାଗରେ ମୁଦ୍ରଣ କଳାକୌଶଳ ଉଦ୍ଭାବନ ପରେ ଅଷ୍ଟାଦଶ ଶତାଦ୍ଦୀ ବେଳକୁ ମୁଦ୍ରିତ ସମ୍ୱାଦପତ୍ର ବ୍ରିଟେନ ଓ ୟୁରୋପୀୟ ସମାଜକୁ ପ୍ରଭାବିତ କରିଥିଲା । ଶିଳ୍ପବିପ୍ଳବ ପରବର୍ତ୍ତୀ ଅବସ୍ଥାରେ କଳକାରଖାନାରେ ଉତ୍ପାଦିତ ସାମଗ୍ରୀ ବିକ୍ରିବଟା ମୁଣ୍ଡ ଟେକୁଥିବା ଅବସରରେ ସମ୍ୱାଦପତ୍ରରେ ବିଜ୍ଞପିତ କରାଇବାଧାରା ବ୍ୟବସାୟ ବୃଦ୍ଧିର ଅନ୍ୟତମ ଅଙ୍ଗ ରୂପେ ଗଣନା କରାଗଲା । ଅତଏବ ଆଧୁନିକ ସମ୍ୱାଦ ଶିଳ୍ପ ଉନ୍ମେଷ କାଳରୁ ହିଁ ବିଜ୍ଞାପନ ଆଶ୍ରିତ ହୋଇ ପଡ଼ିଥିବା ଚ଼ିହ୍ନଟ କରାଯାଇପାରେ ।


 

ସଂବାଦପତ୍ର ଶିଳ୍ପରେ ଅନୁସୃତ ଦୁଇଶହ ବର୍ଷ ଧରି ପ୍ରଚ଼ଳିତ ଧାରା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ କାଳରେ ଟେଲିଭିଜନ ଶିଳ୍ପର ବ୍ୟବସାୟକୁ ମଧ୍ୟ ପ୍ରଭାବିତ କରିଥିଲା । ବିଜ୍ଞାପନ ଆଶ୍ରିତ ଗଣମାଧ୍ୟମ ମଡ଼େଲରେ ସମ୍ୱାଦପତ୍ର ପ୍ରକାଶନ କିମ୍ୱା ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସାରଣ ନିମନ୍ତେ ଖର୍ଚ୍ଚ ଗ୍ରାହକ ଚ଼ାନ୍ଦା ବଦଳରେ ବିଜ୍ଞାପନ ରାଜସ୍ୱରୁ ଭରଣା ହୋଇଥାଏ । ବିଂଶ ଶତାଦ୍ଦୀ ଶେଷ ସୁଦ୍ଧା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ସମ୍ୱାଦପତ୍ରଗୁଡ଼ିକର ଆୟ ବିଜ୍ଞାପନ ଉପରେ ୮୦ରୁ ୯୦ ପ୍ରତିଶତ ନିର୍ଭରଶୀଳ ରହୁଥିବା ସ୍ଥଳେ ଗ୍ରାହକ ଚ଼ାନ୍ଦାରୁ ମାତ୍ର ୧୦ ରୁ ୨୦ ପ୍ରତିଶତ ଭରଣା କରାଯାଉଥିଲା । ଏହି ବ୍ୟାବସାୟିକ ଢ଼ାଞ୍ଚା ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ଊଣାଅଧିକେ ଉପଯୋଗ କରାଯାଇ ଆସିଛି ।


 

ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଇଣ୍ଟରନେଟର ପ୍ରସାର ତଥା ପ୍ରଥମ ଦଶକର ଶେଷଭାଗରେ ସ୍ମାର୍ଟଫୋନର ପ୍ରଚଳନ ପାଶ୍ଚାତ୍ୟ ଭୂଖଣ୍ଡରେ ଉପଭୋକ୍ତାଙ୍କ ଗଣମାଧ୍ୟମ ବ୍ୟବହାରଜନିତ ଅଭ୍ୟାସରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ସମର୍ଥ ହେଲା । ସ୍ମାର୍ଟଫୋନ, ଟେବଲେଟ ଓ ଲ୍ୟାପଟପଭଳି ‘ହେଣ୍ଡ-ହେଲଡ଼ ଡ଼ିଭାଇସେସ’ ଯୋଗେ ସୂଚ଼ନା ଓ ସମ୍ୱାଦସଂଗ୍ରହ ସାର୍ବଜନୀନ ହେବା ଅବସରରେ ବ୍ୟାବସାୟିକ ବିଜ୍ଞାପନଦାତାମାନେ ଉପଭୋକ୍ତାଙ୍କ ଦୃଷ୍ଟି ଆକର୍ଷଣଲାଗି ଅନଲାଇନମଞ୍ଚମୁଖୀ ହେବାରେ ଲାଗିଲେ ।


 

ମୋବାଇଲ ଫୋନ ଆପ୍ଲିକେସନ ‘ଆପ’ର ବିକାଶ ଇଣ୍ଟରନେଟ ବ୍ୟବହାରକୁ ଅତୀବ ସହଜପ୍ରଦ କରିଦେବା ଫଳରେ ମେସେଞ୍ଜର ଓ ସୋସିଆଲ ମିଡ଼ିଆ ଆପ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଲା । ଅପରପକ୍ଷେ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଉପଯୋଗରେ ପ୍ରତ୍ୟେକ ଉପଭୋକ୍ତାଙ୍କ ରୁଚି ଓ ଆଗ୍ରହ ଆପ ବ୍ୟବହାରଜନିତ ସୂଚ଼ନାରୁ ସଂଗ୍ରହକରି ତଦ୍ଉପଯୋଗୀ ବିଜ୍ଞାପନ ସଂପୃକ୍ତ ଉପଭୋକ୍ତାଙ୍କ ନିକଟରେ ପହୁଞ୍ଚାଇବାର ସୁବିଧାସୁଯୋଗ ବ୍ୟବସାୟୀଙ୍କ ନିମନ୍ତେ ଆକର୍ଷଣୀୟ ପ୍ରମାଣିତ ହେବାରେ ଲାଗିଲା ।


 

ଅପରପକ୍ଷେ ମୋବାଇଲ ଫୋନ ଆପଗୁଡ଼ିକର ମାଦକତା ବ୍ୟବହାରକାରୀଙ୍କୁ ଦୀର୍ଘ ସମୟଧରି ସେଗୁଡ଼ିକୁ ବ୍ୟବହାରର କରିବାଲାଗି ଉତ୍ସାହିତ କରିବା ତଥା ଯୁବଗୋଷ୍ଠୀଙ୍କ ମଧ୍ୟରେ ଦୈନିକ ଚ଼ାରିରୁ ଛଅ ଘଣ୍ଟା ଯାଏଁ ଇଣ୍ଟରନେଟ ମଞ୍ଚରେ ଉପସ୍ଥିତ ରହିବା ଅଭ୍ୟାସ ଅନଲାଇନ ବିଜ୍ଞାପନ ବୃଦ୍ଧିରେ ସହାୟକ ହେବାରେ ଲାଗିଲା । କିଣାବିକା ଓ ଆର୍ଥିକ ଦେଣନେଣ କାର୍ଯ୍ୟକ୍ଷେତ୍ରରେ ଡ଼ିଜିଟାଲ ରୂପାନ୍ତର ଅନଲାଇନ ବିଜ୍ଞାପନକୁ ଅଧିକ ଆକର୍ଷଣୀୟ କଲା ।


 

ବିକଶିତ ରାଷ୍ଟ୍ରବର୍ଗରୁ ସୃଷ୍ଟ ଏହି ଧାରା ଅନ୍ୟାନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ପରିବ୍ୟାପ୍ତ ହେବାରେ ଲାଗିଛି ଏବଂ ଅନଲାଇନ ପରିବେଶର ଉପାଦେୟତା କାରଣରୁ ନିକଟ ଭବିଷ୍ୟତରେ ଏହାର ପରିବର୍ତ୍ତନ ଆଶା କରାନଯାଇପାରେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଅନଲାଇନ ବ୍ୟବହାର ଧାରା ଅତ୍ୟନ୍ତ କ୍ଷୀପ୍ର ଏବଂ ଅତି ଅଳ୍ପ ସମୟ ମଧ୍ୟରେ ଏହାର ବ୍ୟବହାର ଓ ଲୋକପ୍ରିୟତା ବିଶ୍ୱର କୋଣଅନୁକୋଣକୁ ପରିବ୍ୟାପ୍ତ ହେବାରେ ଲାଗିଛି । ଅତୀତରେ ଯେଉଁ ଉଦ୍ଭାବନଗୁଡ଼ିକ ବ୍ୟବହାର୍ଯ୍ୟ ଅବସ୍ଥାକୁ ଆସିବା ନିମନ୍ତେ ବର୍ଷ ବର୍ଷ ଲାଗୁଥିଲା ତାହା ଅନଲାଇନ ପରିବେଶରେ ସପ୍ତାହ, ପକ୍ଷ ବା ମାସ ମଧ୍ୟରେ ସଂଭବପର ହୋଇପାରୁଛି ।


 

ସମ୍ୱାଦପତ୍ର ଓ ଟେଲିଭିଜନ ସମ୍ୱାଦ ଶିଳ୍ପ ଏକ ପକ୍ଷରେ ଅନଲାଇନ ଗଣମାଧ୍ୟମ ବିକାଶରେ ବିଜ୍ଞାପନ ହରାଇ ବସୁଥିବା ଅବସରରେ ନିଜ ପ୍ରସାର ଓ ପ୍ରସାରଣ ବୃଦ୍ଧି ନିମନ୍ତେ ଅନଲାଇନ ମଞ୍ଚରେ ନିଜେ ଅବତୀର୍ଣ୍ଣ ହେବାରେ ଲାଗି ପଡ଼ିଛନ୍ତି ।ଏଥି ନିମନ୍ତେ ବିଭିନ୍ନ ମିଶ୍ରପ୍ରକ୍ରିୟା ‘ହାଇବ୍ରିଡ଼ ମଡ଼େଲ’ର ପରିକଳ୍ପନା କରାଯାଉଛି । ଉଦାହରଣରେ ସମ୍ୱାଦପତ୍ରର ପ୍ରତିଟି ସଂସ୍କରଣରେ ପ୍ରକାଶିତ ସମ୍ୱାଦପ୍ରତି ପାଠକଙ୍କୁ ଆଗ୍ରାହାନ୍ୱିତ କରାଇବା ଲାଗି ଇ-ମେଲ ନିଉଜଲେଟର ପ୍ରକାଶନ କିମ୍ୱା ଟେଲିଭିଜନ ଚ଼୍ୟାନେଲଗୁଡ଼ିକ ପକ୍ଷରୁ ଅନଲାଇନ ଷ୍ଟ୍ରୀମିଂ ଇଦ୍ୟାଦିକୁ ବିଚ଼ାରକୁ ନିଆଯାଇପାରେ ।


 

ସମ୍ୱାଦଶିଳ୍ପରେ ଅନଲାଇନ ସୁବିଧାସୁଯୋଗ ସୃଷ୍ଟିକାଳରେ ପାରମ୍ପରିକ ଭାବେ ଗଢ଼ି ଉଠିଥିବା ଅସଂଖ୍ୟ ସମ୍ୱାଦପତ୍ର ଓ ପତ୍ରପତ୍ରିକା ତଥା ଟେଲିଭିଜନ ଚ଼୍ୟାନେଲରେ ବିଜ୍ଞାପନ ପ୍ରସାରଣ ଧାରା ବର୍ତ୍ତମାନ ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରଭାବଶାଳୀ ହାତଗଣତି ମାତ୍ର କେତୋଟି ମଞ୍ଚକୁ ଅପସାରିତ ହୋଇଛି । କୁହାଯାଏ ଯେ ଆନ୍ତର୍ଜାତିକସ୍ତରରେ ଅନଲାଇନ ବିଜ୍ଞାପନ ରାଜସ୍ୱର ୮୫ ଭାଗ କେବଳ ସୋସିଆଲ ମିଡ଼ିଆ ମଞ୍ଚ ଫେସବୁକ ଓ ସର୍ଚ୍ଚଇଞ୍ଜିନ ଗୁଗୁଲ ଅକ୍ତିଆର କରିନିଅନ୍ତି । ଅର୍ଥାତ ଏହି ଦୁଇ ସଂସ୍ଥାକୁ ବାଦ ଦେଲେ ପୃଥିବୀର ଅନ୍ୟ ସମସ୍ତ ଅନଲାଇନ ସଂସ୍ଥା ମାତ୍ର ୨୦ ପ୍ରତିଶତ ଅନଲାଇନ ବିଜ୍ଞାପନ ରାଜସ୍ୱ ନିଜ ନିଜ ମଧ୍ୟରେ ଭାଗ ବାଣ୍ଟିଥାନ୍ତି । ଏହି କାରଣରୁ ମୁଦ୍ରଣ, ଟେଲିଭିଜନ ସାଙ୍ଗକୁ ଅନଲାଇନରେ ମଧ୍ୟ ସାମଗ୍ରିକ ଭାବେ ସମ୍ୱାଦଶିଳ୍ପ ବିଜ୍ଞାପନ ଆଶ୍ରିତ ହେବା ସମ୍ଭାବନା କ୍ଷୀଣତର ହୋଇ ଆସୁଛି ।


 

ଆମ ଦେଶ ବା ରାଜ୍ୟରେ ମଧ୍ୟ ଅନଲାଇନ ନିଉଜ ପୋର୍ଟାଲ କିମ୍ୱା ୱେବ ଟେଲିଭିଜନ ବ୍ୟବସାୟ କେହି ବିଜ୍ଞାପନକୁ ଆଧାର କରି ଚଳାଇ ପାରିବେ ନାହିଁ । କାରଣ ଉପରୋକ୍ତ ହିସାବ ଅନୁଯାୟୀ ବିଜ୍ଞାପନରୁ ଆୟ ସମ୍ଭବପର ନୁହ । ବିକଳ୍ପ ବ୍ୟବସ୍ଥା ଅନୁସରଣ କରିବାକୁ ବାଧ୍ୟ ।


 

ବ୍ରିଟେନର ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପର ଆୟ ୨୦୦୭ ତୁଳନାରେ ୨୦୧୭ ସୁଦ୍ଧା ଅର୍ଦ୍ଧେକ ହୋଇ ପଡ଼ିଥିବା ହିସାବ କରାଯାଇଛି । ବ୍ୟାବସାୟିକ କ୍ଷତି କାରଣରୁ ସମ୍ୱାଦପତ୍ର ସଂସ୍ଥାଗୁଡ଼ିକ ବନ୍ଦ ହୋଇଯାଉଥିବା, ସ୍ଥଳବିଶେଷରେ କର୍ମଚ଼ାରୀ ଛଟେଇ କିମ୍ୱା ଖର୍ଚ୍ଚ କାଟଛାଟ କରାଯାଉଥିବା ତଥା ସମ୍ୱାଦପତ୍ରର ମାଲିକନା ପରିବର୍ତ୍ତନର ଧାରା ଜାରୀ ରହିଛି । ଏହି ପରିବେଶ ଅନୁଧ୍ୟାନ କରି ପରାମର୍ଶ ପ୍ରଦାନ ଲାଗି ବ୍ରିଟିଶ ସରକାରଙ୍କ ପ୍ରୋତ୍ସାହନରେ ଅର୍ଥନୀତିଜ୍ଞ ଡ଼େମେ ଫ୍ରାନ୍ସିସ କାର୍ଣ୍ଣକ୍ରସଙ୍କ ନେତୃତ୍ୱରେ ଏକ କମିଟି କାର୍ଯ୍ୟ ଆରମ୍ଭ କରିଛି ।


 

ବ୍ରିଟେନରୁ ପ୍ରକାଶିତ ପ୍ରାୟ ସମସ୍ତ ଛୋଟବଡ଼ ସମ୍ୱାଦପତ୍ର ନିଉସ ମିଡ଼ିଆ ଏସୋସିଏସନର ସଦସ୍ୟଭୁକ୍ତ । ଏହି ସଂଗଠନ ପକ୍ଷରୁ କାର୍ଣ୍ଣକ୍ରସ କମିଟି ସମ୍ମୁଖରେ ସମ୍ୱାଦ ଶିଳ୍ପର ସ୍ୱାର୍ଥ ସଂରକ୍ଷଣ କରିବା ନିମନ୍ତେ ୨୦୧୮ ସେପ୍ଟେମ୍ବରରେ କେତେକ ପ୍ରସ୍ତାବ ଉପସ୍ଥାପିତ କରାଯାଇଛି ।


 

ଫେସବୁକ ଓ ଗୁଗୁଲ ମଞ୍ଚରେ ପରିବର୍ତ୍ତିତ ପରିବେଶରେ ସାଧାରଣ ଲୋକେ ବିଭିନ୍ନ ସମ୍ୱାଦ ସଂସ୍ଥାଦ୍ୱାରା ପ୍ରଯୋଜିତ ସୂଚ଼ନା ଓ ସମ୍ୱାଦ ପାଠ କରୁଛନ୍ତି । ଉକ୍ତ ଦୁଇ ମଞ୍ଚ ନିଜେ ସମ୍ୱାଦ ପ୍ରଯୋଜନାରେ ସଂପୃକ୍ତ ନଥାଇ ସୁଦ୍ଧା ସମ୍ୱାଦ ପ୍ରସାରଣ କାର୍ଯ୍ୟକ୍ରମ ସଂଯୋଜନାରେ ସଂପୃକ୍ତି ତଥା ବହୁ ସଂଖ୍ୟକ ପାଠକ ଆକର୍ଷଣ ହେତୁ ବିଜ୍ଞାପନ ପ୍ରଦର୍ଶନରେ ବିପୁଳ ଆୟ କରୁଛନ୍ତି । ଏହି କାରଣରୁ ଦୁଇ ମଞ୍ଚ ବ୍ରିଟେନର ମୌଳିକ ସମ୍ୱାଦ ପ୍ରଯୋଜନା କରୁଥିବା ସମ୍ୱାଦଶିଳ୍ପକୁ ନିଜ ଆୟରୁ ଏକ ଅଂଶ ପ୍ରଦାନ କରିବା ଉଚ଼ିତ ବୋଲି ଯୁକ୍ତି ବଢ଼ାଯାଇଛି ।


 

ନିଉସ ମିଡ଼ିଆ ଏସୋସିଏସନପକ୍ଷରୁ କୁହାଯାଇଛି ଯେ ଫେସବୁକ ଓ ଗୁଗୁଲକୁ ସ୍ଥାନୀୟ ସମ୍ୱାଦ ଶିଳ୍ପକୁ ଅର୍ଥ ପ୍ରଦାନ ନିମନ୍ତେ ସରକାରଙ୍କ ପକ୍ଷରୁ ଟିକସ ‘ଲେଭି’ ଆଦାୟର ବ୍ୟବସ୍ଥା କରାଯାଉ । ଏଭଳି ବ୍ୟବସ୍ଥାଦ୍ୱାରା ବ୍ରିଟେନରେ ଭୁଷୁଡ଼ି ପଡୁଥିବା ସମ୍ୱାଦଶିଳ୍ପକୁ ବଞ୍ଚାଇବା କେତେକାଂଶରେ ସମ୍ଭବପର ହୋଇପାରିବ ।


 

ନିଉଜ ମିଡ଼ିଆ ଏସୋସିଏସନର ଦାବୀ ବୌଦ୍ଧିକ ମାଲିକାନା ‘ଇଣ୍ଟେଲେକଚୁଆଲ ପ୍ରପର୍ଟି’ ଆଧାରରେ ବିଚ଼ାର କଲେ ଯୁକ୍ତିଯୁକ୍ତ ମନେ ହୁଏ । ସାଧାରଣରେ ପ୍ରତ୍ୟେକ ଦ୍ରବ୍ୟ ଓ ସେବାର ମାଲିକାନା ଏଥିଲାଗି ଶ୍ରମ ଓ ଅର୍ଥ ବିନିଯୋଗ କରିଥିବା ବ୍ୟକ୍ତିଙ୍କ ସପକ୍ଷରେ ନିର୍ଦ୍ଧାରିତ ହେଉଥିବା ଅବସରରେ ବିଭିନ୍ନ ସୂତ୍ରରୁ ସମ୍ୱାଦ ସଂକଳନ କାରଣରୁ ବିଜ୍ଞାପନ ପ୍ରଦର୍ଶନ ଜନିତ ଆୟରେ ମୂଳ ସଂବାଦ ପ୍ରଯୋଜକଙ୍କ ସତ୍ତ୍ୱ ରହିବା କଥା ।


 

ଆଧୁନିକ ଗଣତାନ୍ତ୍ରିକ ଶାସନରେ ସମ୍ୱାଦ ସରବରାହ ପ୍ରଶାସନର ଗୁଣବତ୍ତା ବିକାଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବା ହେତୁ ସମ୍ୱାଦ ଶିଳ୍ପର ସ୍ୱାର୍ଥରକ୍ଷା ଲାଗି ସରକାରଙ୍କ ପ୍ରଚ଼େଷ୍ଟା ଅପରିହାର୍ଯ୍ୟ । ଏହି ପରିସ୍ଥିତିରେ ପ୍ରଯୁକ୍ତି ବିଦ୍ୟା ପ୍ରଗତିରୁ ସୃଷ୍ଟ ପରିବେଶକୁ ମୁକାବିଲା କରିବା ନିମନ୍ତେ ନୀତି ନିର୍ଦ୍ଧାରଣ ତଥା ଆଇନ ପ୍ରଣୟନ ଏକ ଜରୁରୀ ଆବଶ୍ୟକତା ।


 

କାର୍ଣ୍ଣକ୍ରସ କମିଟି ସମ୍ମୁଖରେ ନିଉଜ ମିଡ଼ିଆ ଏସୋସିଏସନ ପକ୍ଷରୁ ଉପସ୍ଥାପିତ ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟରେ ଫେସବୁକ ଓ ଗୁଗୁଲ ନିର୍ଭରଯୋଗ୍ୟ ସମ୍ୱାଦ ସଂସ୍ଥାର ସମ୍ୱାଦ ପରିବେଷଣ ପାଇଁ ନିଜ ନିଜ ମଞ୍ଚରେ କାରିଗରୀ କୌଶଳ ଉପଯୋଗରେ ଉପଯୁକ୍ତ ବ୍ୟବସ୍ଥା କରିବା ତଥା ଗୁଜବ ବା ‘ଫେକ ନିଉଜ’ ପ୍ରସାରରେ ପ୍ରତିବନ୍ଧକ ଲଗାଇବା ଇଦ୍ୟାଦି ଅନ୍ତର୍ଭୁକ୍ତ ।


 

ତେବେ ପ୍ରଶ୍ନ ଉଠେ ଫେସବୁକ ଓ ଗୁଗୁଲ ଭଳି ଆନ୍ତର୍ଜାତିକସ୍ତରରେ ଅନଲାଇନ ସୋସିଆଲ ମିଡ଼ିଆ ମଞ୍ଚ ଗୁଡ଼ିକ ସରକାରୀ ଲେଭି ନିର୍ଦ୍ଧାରଣ ପ୍ରସ୍ତାବକୁ ଗ୍ରହଣ କରିବେ କି ? ଅତୀତ ଅଭିଜ୍ଞତାରୁ ଜଣାଯାଏ ଯେ ୨୦୧୪ରେ ସ୍ପେନରେ ଗୁଗୁଲକୁ ସ୍ଥାନୀୟ ପ୍ରକାଶକମାନଙ୍କୁ ଲେଭି ପ୍ରଦାନ ନିମନ୍ତେ ବାଧ୍ୟ କରିବା ଅବସରରେ ଗୁଗୁଲ ସ୍ପେନରେ ‘ଗୁଗୁଲ ନିଉଜ’ ପ୍ରସାରଣ ବନ୍ଦ କରିଦେଇଥିଲା । ବର୍ତ୍ତମାନ ବ୍ରିଟେନ ଯଦି ଅନୁରୂପ ଲେଭି ପ୍ରଚଳନ କରେ, ତେବେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ କ’ଣ ବ୍ରିଟେନକୁ ଏଡ଼ାଇ ଯିବେ ? ପୁଣି ସ୍ପେନ ଓ ବ୍ରିଟେନର ଲେଭିର ଉଦାହରଣକୁ ଯଦି ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକରେ ଲାଗୁ କରାଯାଏ ତେବେ ସବୁଠାରେ କ’ଣ ସେମାନେ ବ୍ୟବସାୟ ବନ୍ଦ କରିଦେବେ ? ଏହାର ନିର୍ଯ୍ୟାସ ସମୟ କହିବ ।          

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୧


ତଥ୍ୟ:



https://www.theguardian.com/media/2018/sep/25/uk-newspaper-industry-demands-levy-on-tech-firms

'ବାର୍କ' ସପକ୍ଷରେ

ଟେଲିଭିଜନ ଦର୍ଶକ ପରିମାପ ଧାରାକୁ ନେଇ ବିବାଦ ଲାଗି ରହିଥାଏ । ବିଜ୍ଞାପନଆଶ୍ରିତ ମଡ଼େଲରେ ବିକଶିତ ଟେଲିଭିଜନ ବ୍ୟବସାୟରେ କେଉଁ ଚ୍ୟାନେଲର କେଉଁ କାର୍ଯ୍ୟକ୍ରମ କେତେକ ସଂଖ୍ୟକ ଦର୍ଶକ ଦେଖୁଛନ୍ତି ତଦ୍ ଅନୁଯାୟୀ ବିଜ୍ଞାପକମାନେ ବିଜ୍ଞାପନ ବିତରଣ କରିଥାନ୍ତି । ଟେଲିଭିଜନ ମଞ୍ଚଗୁଡ଼ିକ ବିଜ୍ଞାପନ ପ୍ରଦର୍ଶନ ଆୟରେ ବ୍ୟବସାୟ ପରିଚାଳନା ହେଉଥିବା ହେତୁ ସର୍ବଦା ଅଧିକ ଦର୍ଶକ ଦାବୀ କରିବା ସ୍ୱାଭାବିକ ।


 

ବିଜ୍ଞାପନଆଶ୍ରିତ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ, ଅନଲାଇନ ପ୍ରତ୍ୟେକ ମଞ୍ଚ ଉପଭୋକ୍ତା ଗଣତିରେ ଊଣାଅଧିକେ ହେରଫେର ହେଉଥିବା ସର୍ବଜ୍ଞାତ । ତେବେ ବିଜ୍ଞାପକ ଏବଂ ସେମାନଙ୍କ ବିଜ୍ଞାପନ ପରିଚାଳକମାନଙ୍କୁ ବିଜ୍ଞାପନ ବିତରଣ ନିଷ୍ପତ୍ତି ଗ୍ରହଣ ନିମନ୍ତେ ଧାରାବାହିକ ଭାବେ ପରିସଂଖ୍ୟାନ ଆବଶ୍ୟକ ପଡୁଥିବା କାରଣରୁ ପ୍ରଚଳିତ ଉପଭୋକ୍ତା ପରିମାପ ଧାରା ଉପଯୋଗରୁ ମୁକୁଳି ପାରନ୍ତି ନାହିଁ ।


 

ଭାରତରେ ‘ବ୍ରଡ଼କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ (ବାର୍କ)’ ସରକାରୀ ଅନୁମୋଦିତ ଏକମାତ୍ର ଟେଲିଭିଜନ ଦର୍ଶକ ପରିମାପକ ସଂସ୍ଥା । ଏହା ଇଣ୍ଡିଆନ ବ୍ରଡ଼କାଷ୍ଟିଂ ଫାଉଣ୍ଡେସନ, ଏଡ଼ଭଟାଇଜର୍ସ ଏସୋସିଏସନ ଅଫ ଇଣ୍ଡିଆ ଓ ଇଣ୍ଡିଆନ ସୋସାଇଟି ଅଫ ଏଡ଼ଭଟାଇଜର୍ସର ସମ୍ମିଳିତ ଉଦ୍ୟମରେ ୨୦୧୪ରେ ସ୍ଥାପିତ ହୋଇଥିଲା । ଏଥିରେ ଟେଲିଭିଜନ ପ୍ରସାରଣ ସଂସ୍ଥାଗୁଡ଼ିକର ୬୦ ପ୍ରତିଶତ, ବିଜ୍ଞାପନ ବିତରଣ ସଂସ୍ଥାଗୁଡ଼ିକର ୨୦ ପ୍ରତିଶତ ଏବଂ ବିଜ୍ଞାପକଙ୍କ ୨୦ ପ୍ରତିଶତ ପ୍ରତିନିଧିତ୍ୱ ରହିଥାଏ ।


 

‘ବ୍ରଡ଼କାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ’ ପ୍ରତିଷ୍ଠା ପୂର୍ବରୁ ଆନ୍ତର୍ଜାତିକ ବ୍ୟବସାୟ ଗବେଷଣା ପ୍ରତିଷ୍ଠାନ ‘ନେଲସନ’ ଓ ‘କାନ୍ତାର’ ମିଳିତ ଉଦ୍ୟମରେ ‘ଟେଲିଭିଜନ ଅଡ଼ିଏନ୍ସ ମେଜରମେଣ୍ଟ (ଟାମ)’ ମାନାଙ୍କରେ ଭାରତରେ ଟେଲିଭିଜନ ଦର୍ଶକ ଗଣନା କାର୍ଯ୍ୟ ସମାହିତ ହେଉଥିଲା । ଦର୍ଶକ ପରିମାପରେ ‘ଟାମ’ର ତୃଟି ନେଇ ‘ଡ଼ିସକଭରି’ ଓ ‘ନ୍ୟାସନାଲ ଜିଓଗ୍ରାଫକ’ ଚ୍ୟାନେଲ ପକ୍ଷରୁ ୨୦୦୩ରେ ଅଭିଯୋଗ ଅଣାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ୨୦୧୨ରେ ‘ଏନଡ଼ିଟିଭି’ ପକ୍ଷରୁ ପାତରଅନ୍ତର ଅଭିଯୋଗ କରାଯାଇ ନ୍ୟୂୟର୍କର ସୁପ୍ରିମ କୋର୍ଟରେ ମାମଲା ଦାୟର କରାଯାଇଥିଲା । ଅବଶ୍ୟ ପରବର୍ଷ ମକଦ୍ଦମାଟି ଖାରଜ ହୋଇଯାଇଥିଲା ।


 

ବିବାଦରେ ଛନ୍ଦି ହୋଇଥିବା ଭାରତର ଟେଲିଭିଜନ ଦର୍ଶକ ଗଣନାଭାର ଟେଲିଭିଜନ ପ୍ରଯୋଜକ, ବିଜ୍ଞାପକ ଓ ବିଜ୍ଞାପନ ପରିଚାଳନା ସଂସ୍ଥାଗୁଡ଼ିକର ସଂଘମାନଙ୍କ ଉଦ୍ୟମରେ ନବଗଠିତ ପ୍ରତିଷ୍ଠାନ ୨୦୧୫ରେ ‘ଟାମ’ର ଗଣନା ବ୍ୟବସାୟ କିଣି ନେଇଥିଲା । ‘ବାର୍କ’ ପକ୍ଷରୁ ୨୦୧୬ରୁ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବା ଅବସରରେ ସାରା ଦେଶରେ ୪୪ ହଜାର ଟେଲିଭିଜନ ସେଟ ଉପଲବ୍ଧ ଥିବା ଦର୍ଶକଙ୍କ ଗୃହରେ ‘ବାର-ଓ-ମିଟର’ ନାମକ ଦର୍ଶକ ଗଣନା ଯନ୍ତ୍ର ସ୍ଥାପନ କରାଯାଇଥିଲା । ଏହି ନମୂନା ୨୦୨୦ ଶେଷ ସୁଦ୍ଧା ୬୦ ହଜାର ଏବଂ ୨୦୨୨ ସୁଦ୍ଧା ଏକ ଲକ୍ଷ ଦର୍ଶକଙ୍କ ଗୃହକୁ ସଂପ୍ରସାରିତ କରିବା କାର୍ଯ୍ୟକ୍ରମ ରହିଥିଲା ।


 

‘ବାର୍କ’ ଟେଲିଭିଜନ ଦର୍ଶକ ଗଣନାରେ କେତେକ ସ୍ୱତନ୍ତ୍ର କୌଶଳ ଉପଯୋଗ କରିଥାଏ । ଏହି ଗଣନାରେ ଅଂଶଗ୍ରହଣ କରୁଥିବା ଚ୍ୟାନେଲଗୁଡ଼ିକ କାର୍ଯ୍ୟକ୍ରମ ପ୍ରସାରଣ ହେବା ପୂର୍ବରୁ ଏକ ‘ଅଡ଼ିଓ ୱାଟରମାର୍କ’ ସନ୍ନିବେଶିତ ହୋଇଥାଏ । ପ୍ରସାରଣ ସମୟରେ ସାଧାରଣରେ ଏହା ଠାବ କରାଯାଇ ପାରୁନଥିବା ସ୍ଥଳେ ‘ବାର-ଓ-ମିଟର’ରେ ଚ଼ିହ୍ନିତ ହୋଇଥାଏ । ନମୂନା ଦର୍ଶକଙ୍କ ଗୃହରେ ଟେଲିଭିଜନ ସେଟ ସହ ‘ବାର-ଓ-ମିଟର’ ସଂଯୋଗ ଅବସରରେ କାର୍ଯ୍ୟକ୍ରମ ଖୋଲିବା ନିମନ୍ତେ ଏକ ସ୍ୱତନ୍ତ୍ର ରିମୋଟ ବିତରଣ କରାଯାଇଥାଏ । ପରିବାରର ପ୍ରତ୍ୟେକ ସଦସ୍ୟ ଏକ ସ୍ୱତନ୍ତ୍ର ବଟନ ଚିପିଲା ପରେ କାର୍ଯ୍ୟକ୍ରମ ଚ଼ୟନ କରିଥାନ୍ତି । ‘ବାର-ଓ-ମିଟର’ ଯୋଗେ ପରିବାରର କେଉଁ ସଦସ୍ୟ କେଉଁ ଟେଲିଭିଜନ କାର୍ଯ୍ୟକ୍ରମ କେତେ ସମୟ ଦେଖିଲେ ଆପେ ଆପେ ଗଣିତ ହୋଇଥାଏ । ସମସ୍ତ ନମୂନା ଦର୍ଶକ ଗୃହରୁ ସଂଗୃହୀତ ତଥ୍ୟାବଳୀ ବିଶ୍ଳେଷଣ କରାଯାଇ ପ୍ରତି ସପ୍ତାହ ଗୁରବାର ଦିନ ‘ବାର୍କ’ ପକ୍ଷରୁ ଦର୍ଶକ ପରିସଂଖ୍ୟାନ ଘୋଷଣା କରାଯାଇଥାଏ ।


 

ପୂର୍ବରୁ ‘ଟାମ’ ପକ୍ଷରୁ ଦର୍ଶକ ଗଣନାକୁ ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ସୂଚ଼ିତ କରାଯାଉଥିବା ସ୍ଥଳେ ‘ବାର୍କ’ ପକ୍ଷରୁ ‘ଇମ୍ପ୍ରେସନ’ ଶବ୍ଦ ବ୍ୟବହୃତ । ତେବେ ସାଧାରଣରେ ପାରମ୍ପରିକ ‘ଟିଆରପି’ର ବ୍ୟବହାର ଚାଲିଆସିଛି । ‘ବାର୍କ’ ପକ୍ଷରୁ ଦର୍ଶକ ଗଣନା ଦାୟିତ୍ୱ ଗ୍ରହଣ କରାଗଲା ପରେ ମଧ୍ୟ ତୃଟିକୁ ନେଇ ବିବାଦର ଅନ୍ତ ଘଟି ନାହିଁ । ଜୁଲାଇ ୨୦୨୦ରେ ‘ନିଉଜ ବ୍ରଡ଼କାଷ୍ଟର୍ସ ଏସୋସିଏସନ ଅଫ ଇଣ୍ଡିଆ’ ପକ୍ଷରୁ ‘ଟିଭି ୯’ର ହିନ୍ଦି ଚ୍ୟାନେଲ ‘ଭାରତବର୍ଷ’ର ଦର୍ଶକ ଗଣନାରେ ‘ବାର୍କ’ ପକ୍ଷରୁ ପାତରଅନ୍ତର ଅଭିଯୋଗ କରାଯାଇଥିଲା ।


 

ଟେଲିଭିଜନ ଦର୍ଶକ ଗଣନାରେ କାରସାଦୀ ସଂପର୍କରେ ‘ବାର୍କ’ ସଚ଼େତନ ଏବଂ ଏହାକୁ ରୋକିବା ନିମନ୍ତେ ‘ମିଟରୋଲଜି ଡ଼ାଟା ପ୍ରାଇଭେଟ ଲିମିଟେଡ଼’କୁ ତଦାରଖ ଦାୟିତ୍ୱ ଦେଇଛି । ମିଟରଲୋଜି ପକ୍ଷରୁ ଅନ୍ୟାନ୍ୟ ସଂସ୍ଥା ସହ ମୁମ୍ୱାଇରେ ‘ହଂସ ମାର୍କେଟ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡ଼’କୁ ନିଯୁକ୍ତ କରିଥିବା ଜଣାଯାଏ । ନିୟମିତ ଯାଞ୍ଚ ପ୍ରକ୍ରିୟାରେ ‘ହଂସ’ ପକ୍ଷରୁ ମୁମ୍ୱାଇରେ ସ୍ଥାପିତ ଦୁଇ ହଜାର ‘ବାର-ଓ-ମିଟର’ ମଧ୍ୟରେ ପାଞ୍ଚଗୋଟି ଦର୍ଶକ ଗୃହରେ ଟେଲିଭିଜନ କାର୍ଯ୍ୟକ୍ରମ ଆହରଣ ନେଇ ସନ୍ଦେହ ଉପୁଜିଥିଲା। ପ୍ରାଥମିକ ତଦନ୍ତ ପରେ କେତେକ ନିର୍ଦ୍ଦିଷ୍ଟ ଟେଲିଭିଜନ ଚ୍ୟାନେଲ ପକ୍ଷରୁ ଦର୍ଶକ ପରିବାରଗୁଡ଼ିକୁ ପ୍ରଭାବିତ କରାଯାଇଥିବା ତଥା ଏଥିରେ ‘ହଂସ’ର ପୂର୍ବତନ କର୍ମଚାରୀ ସଂପୃକ୍ତ ଥିବା ଜଣାଯିବାପରେ ସ୍ଥାନୀୟ ପୋଲିସ ନିକଟରେ ଅର୍ଥନୀତିକ ଅପରାଧ ଅଭିଯୋଗରେ ଏଫଆଇଆର ଦାୟର କରାଯାଇଥିଲା ।


 

‘ବାର୍କ’ ପକ୍ଷରୁ କାର୍ଯ୍ୟରତ ‘ହଂସ’ ପକ୍ଷରୁ ଟେଲିଭିଜନ ଦର୍ଶକ ଗଣନାରେ କାରସାଦୀ ପର୍ଦ୍ଦାଫାସ ପରେ ପୋଲିସ ଅନୁସନ୍ଧାନ କରି ତିନିଗୋଟି ଟେଲିଭିଜନ ଚ୍ୟାନେଲ ସଂପୃକ୍ତ ଥିବା ନେଇ ପ୍ରମାଣ ସଂଗ୍ରହ କରି ପ୍ରାଥମିକ ପର୍ଯ୍ୟାୟରେ ଦୁଇଗୋଟି ଚ୍ୟାନେଲର ମାଲିକଙ୍କୁ ଗିରଫ କରିଥିଲେ ଏବଂ ତୃତୀୟ ଚ୍ୟାନେଲର ସଂପୃକ୍ତି ସଂପର୍କରେ ଅଧିକ ଅନୁସନ୍ଧାନ ହାତକୁ ନେଇଥିଲେ । ଅକ୍ଟୋବର ୨୦୨୦ ଦ୍ୱିତୀୟ ସପ୍ତାହରେ ସଂଘଟିତ ଏହି ଘଟଣା ଟେଲିଭିଜନ ଦର୍ଶକ ଗଣନା ଓ ସେଥିରେ ହେରଫେର କରି ନିର୍ଦ୍ଧିଷ୍ଟ ଟେଲିଭିଜନ ଚ୍ୟାନେଲ ବିଜ୍ଞାପନ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ଜାତୀୟସ୍ତରରେ ଚର୍ଚ୍ଚା ଲାଗି ଖୋରାକ ଯୋଗାଇ ଥିଲା । ଏହି ପରିପ୍ରେକ୍ଷୀରେ କେତେଗୋଟି ଦିଗରୁ ବିଶ୍ଳେଷଣ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ ।


 

ପ୍ରଥମତଃ, ସମସାମୟିକ ସମାଜରେ ଗଣମାଧ୍ୟମ ନୀତିନିୟମର ଦ୍ୱାହି ଦେଇ ଅପରାଧିକ ସନ୍ଦେହ ମାତ୍ରେ ପ୍ରଭାବଶାଳୀଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ସ୍ଥଳେ ଗଣମାଧ୍ୟମରେ ଦୁର୍ନୀତିର ଗନ୍ଧ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସ୍ୱାଭାବିକ । ମୁମ୍ୱାଇ ଘଟଣାରେ ଏକ ପ୍ରଭାବଶାଳୀ ଟେଲିଭିଜନ ଚ୍ୟାନେଲ ସଂପୃକ୍ତ ଥିବା ଅଭିଯୋଗ ହେତୁ ପ୍ରତିଯୋଗୀ ଟେଲିଭିଜନ ଚ୍ୟାନେଲ, ମୁଦ୍ରଣ ଓ ଅନଲାଇନ ମଞ୍ଚଗୁଡ଼ିକ ମାତ୍ରାଧିକ ଆଗ୍ରହ ପ୍ରକାଶ କରିଥିଲେ । ଟେଲିଭିଜନ ସର୍ବାଧିକ ବିଜ୍ଞାପନ ଆୟ କରୁଥିବା କାରଣରୁ ଏକ ରକମ ଈର୍ଷାର ପାତ୍ର ।


 

ଦ୍ୱିତୀୟତଃ, ପାଞ୍ଚଗୋଟି ଅର୍ଥନୀତିକ ଦୃଷ୍ଟିରୁ ଅନଗ୍ରସର ପରିବାର ପାରିତୋଷିକ ନେଇ କେତେକ ଟେଲିଭିଜନ ଚ୍ୟାନେଲ ପ୍ରତି ଅନୁଗ୍ରହ ପ୍ରକାଶ ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଖୋଦ ମୁମ୍ୱାଇ ପୋଲିସ କମିସନର ସାମ୍ୱାଦିକ ସମ୍ମିଳନୀ ଡ଼ାକି ଖୁଲାସା କରିବା ଘଟଣାଟିର ଗୁରୁତ୍ୱ ବଢ଼ାଇ ଦେଇଥିଲା ।


 

ତୃତୀୟତଃ, ‘ବାର୍କ’ ପକ୍ଷରୁ ସମ୍ପାଦିତ ଟେଲିଭିଜନ ଦର୍ଶକ ଗଣନା କାର୍ଯ୍ୟକ୍ରମର ଗୁଣବତ୍ତା ସୁରକ୍ଷା ନିମନ୍ତେ ସଂପୃକ୍ତ ସଂସ୍ଥା ଦ୍ୱାରା ନିଯୁକ୍ତ ‘ହଂସ’ର କର୍ମଚାରୀମାନେ କାରସାଦୀ ଚ଼ିହ୍ନଟ କରି ଅନୁସନ୍ଧାନରେ ଅପରାଧିକ ତତ୍ତ୍ୱର ସଂପୃକ୍ତି ସନ୍ଦେହ କରି ପୋଲିସରେ ଅଭିଯୋଗ କରିଥିଲେ । ଅର୍ଥାତ ‘ବାର୍କ’ ପକ୍ଷରୁ ଗଣନା କାର୍ଯ୍ୟରେ ସମ୍ଭାବ୍ୟ ହେରଫେର ରୋକିବା ନିମନ୍ତେ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରାଯାଉଛି ।


 

ଚ଼ତୁର୍ଥତଃ, ପ୍ରଶ୍ନ ଉଠେ ‘ବାର୍କ’ ପକ୍ଷରୁ ସମଗ୍ର ଦେଶରେ ୧୯ କୋଟି ୭୦ ଲକ୍ଷ ଟେଲିଭିଜନ ଦର୍ଶକ ବାସଗୃହ ମଧ୍ୟରୁ ୪୪ ହଜାର ନମୂନା ଗୃହ ଚୟନ ତୃଟିପୂର୍ଣ୍ଣ କି ? ଏକପକ୍ଷରେ ପରିସଂଖ୍ୟାନ ଶାସ୍ତ୍ର ଅନୁଯାୟୀ ୪୪ ହଜାର କିଛି କମ ନମୂନା ନୁହଁ ଏବଂ ଅପରପକ୍ଷରେ ନମୂନା ସଂଖ୍ୟା ୨୦୨୨ ସୁଦ୍ଧା ଏକ ଲକ୍ଷକୁ ବୃଦ୍ଧି କରିବା ନିମନ୍ତେ ଲକ୍ଷ୍ୟ ରହିଛି । ତେଣୁ ନମୂନାକୁ ନେଇ ସମାଲୋଚନା ନିରାଧାର ।


 

ପଞ୍ଚମତଃ, ନମୂନା ସର୍ବେକ୍ଷଣରେ ଶତପ୍ରତିଶତ ଶୁଦ୍ଧତା କେବେହେଁ ସଂଭବପର ନୁହଁ । ଦର୍ଶକଙ୍କ ସଂଖ୍ୟା ଗଣନାକୁ ଅଧିକ ଶକ୍ତିଶାଳୀ କରିବାକୁ ହେଲେ ଏକପକ୍ଷ ବଦଳରେ ବହୁ ପକ୍ଷଙ୍କୁ ଗଣନାଲାଗି ନିଯୁକ୍ତ କରାଯିବା ଯୁକ୍ତିଯୁକ୍ତ । ସେହିପରି ନମୂନା ଟେଲିଭିଜନ ସେଟରେ ମିଟର ସ୍ଥାପନ ପରିବର୍ତ୍ତେ ଅତ୍ୟାଧୁନିକ ବିକଶିତ ବିଭିନ୍ନ ସର୍ବେକ୍ଷଣ ପଦ୍ଧତି ଉପଯୋଗ କରାଯାଇପାରେ । ଦେଶରେ ପ୍ରାୟ ଛଅ କୋଟି ‘ଡ଼ାଇରେକଟ-ଟୁ-ହୋମ’ ଟେଲିଭିଜନ ପ୍ରସାରଣ ଉପଭୋକ୍ତା ଥିବା ହେତୁ ସେମାନଙ୍କୁ ନମୂନାଭାବେ ଗ୍ରହଣ କରାଯାଇ ତଥ୍ୟ ସଂଗ୍ରହ ସଂଭବପର ।


 

ମୋଟ ଉପରେ ‘ବାର୍କ’ ଟେଲିଭିଜନ ଚ୍ୟାନେଲ, ବିଜ୍ଞାପକ ଓ ବିଜ୍ଞାପନ ପରିଚାଳନା ସଂସ୍ଥାଗୁଡ଼ିକର ସଂଘ ଦ୍ୱାରା ପରିଚାଳିତ ଏବଂ ସେମାନେ ନିଜନିଜର ସ୍ୱାର୍ଥ ସଂରକ୍ଷଣ ନିମନ୍ତେ ଅବଶ୍ୟ ଯତ୍ନବାନ । ଭାରତରେ ୮୩ କୋଟି ୬୦ ଲକ୍ଷ ଟେଲିଭିଜନ ଦର୍ଶକ ହିସାବ କରାଯାଉଥିବା ସ୍ଥଳେ ଏହି ଶିଳ୍ପରେ ବାର୍ଷିକ ୭୮,୮୦୦ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ଏଥି ମଧ୍ୟରେ ୪୬,୮୦୦ କୋଟି ଗ୍ରାହକ ଚାନ୍ଦା ଏବଂ ୩୨,୦୦୦ କୋଟି ବିଜ୍ଞାପନ ରାଜସ୍ୱ ଅନ୍ତର୍ଭୁକ୍ତ ।


 

ଦେଶରେ ସମ୍ୱାଦ ଟେଲିଭିଜନର ଦର୍ଶକ ସଂଖ୍ୟା ସମୁଦାୟ ଦର୍ଶକଙ୍କ ମଧ୍ୟରେ ମାତ୍ର ପାଞ୍ଚ ପ୍ରତିଶତରେ ସୀମିତ । ଏହି ତଥ୍ୟ ସମସ୍ତେ ଜାଣନ୍ତି । ତେବେ ଶିଳ୍ପପତି ଓ ବ୍ୟବସାୟୀମାନେ ନିଜସ୍ୱ ‘ବ୍ରାଣ୍ଡ’ ପ୍ରତିଷ୍ଠା ଉଦ୍ୟମରେ ସମ୍ୱାଦ ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ବିଜ୍ଞାପନ ପ୍ରଦର୍ଶନରେ ସମୁଦାୟ ବିଜ୍ଞାପନ ବ୍ୟୟରେ ଦଶ ପ୍ରତିଶତ ବ୍ୟୟ କରିଥାନ୍ତି । ଏହାକୁ ଅନୁକମ୍ପାଭାବେ ବିଚାର ନକରି ଆବଶ୍ୟକତାରୂପେ ଚ଼ିହ୍ନିତ କରାଯାଇପାରେ । ଏତଏବ ଇଂଲିଶ ନ୍ୟୁଜ ଚ୍ୟାନେଲକୁ କେତେ ଦର୍ଶକ ବଦଳରେ କେଉଁ ଶ୍ରେଣୀର ଦର୍ଶକ ଦେଖୁଛନ୍ତି ତାହା ବିଜ୍ଞାପନ ପ୍ରଦର୍ଶନ ଲାଗି ନିର୍ଦ୍ଧାରକ ଭୂମିକା ଗ୍ରହଣ କରିଥାଏ ବୋଲି କହିବାକୁ ହେବ ।


 

ଭାରତରେ ‘ବାର୍କ’ ଭଳି ଯୁକ୍ତରାଷ୍ଟ୍ର ଆମେରିକାରେ ‘ମିଡ଼ିଆ ରେଟିଂ କାଉନସିଲ’, ବ୍ରିଟେନରେ ‘ବାର୍ବ’, ଫ୍ରାନ୍ସରେ ‘ମିଡ଼ିଆ ମେଟ୍ରିକ’ ଓ ଅଷ୍ଟ୍ରେଲିଆରେ ‘ଓଜ-ଟାମ’ ଟେଲିଭିଜନ ଦର୍ଶକ ପରିମାପକ ଭୂମିକା ନିର୍ବାହ କରିଥାନ୍ତି । ‘ବାର୍କ’ ୨୦୧୬ରେ କାର୍ଯ୍ୟ ଆରମ୍ଭ କଲାବେଳେ ୨୭୭ ଗୋଟି ଟେଲିଭିଜନ ଚ୍ୟାନେଲ ଏହାର ଗଣତି ସହ ଅନୁବନ୍ଧିତ ହୋଇଥିବା ସ୍ଥଳେ ୨୦୨୦ ସୁଦ୍ଧା ଚ୍ୟାନେଲ ସଂଖ୍ୟା ୬୦୦କୁ ବୃଦ୍ଧି ପାଇଛି । ଅତଏବ ‘ବାର୍କ’ର କାର୍ଯ୍ୟଧାରା ଆନ୍ତର୍ଜାତିକ ପରିବେଶ ଅନୁକୂଳ ଏବଂ କାର୍ଯ୍ୟଦକ୍ଷତା ଓ ବିଶ୍ୱାସନୀୟତା ଅବଶ୍ୟ ବଳବତ୍ତର ରହିଛି ବୋଲି ଯୁକ୍ତି ଅସମଚୀନ ନୁହଁ ।           

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୨୦


ତଥ୍ୟ:



Pinto, Viveat Susan. Mumbai police puts Republic TV in the dock. Business Standard (Bhubaneswar Edition). October 9, 2020.


 

Pinto, Viveat Susan. Advertisers cautious as viewership row explodes. Business Standard (Bhubaneswar Edition). October 10, 2020.


 

Mookerji. Nivedita. A highly rated scam. Business Standard (Bhubaneswar Edition). October 12, 2020.


 

We’re a data science-driven body that deals in facts & evidence, says BARC. The Times of India. (Bhubaneswar-National Edition). October 12, 2020.


 

Laghate, Gaurav. TRP decides who wins the war for 84 cr sets of eyeballs. The Times of India (Bhubaneswar-National Edition). October 12, 2020.


 

Laghate, Gaurav. TRPs : Built on houses of cards ? The Times of India (Bhubaneswar-National Edition). October 13, 2020.


 

Cheating unmasked (Editorial). The Times of India (Bhubaneswar-National-Edition). October 13, 2020.

ଇଣ୍ଟରନେଟ ସଟ୍ଡ଼ାଉନ

‘ଇଣ୍ଟରନେଟ ସଟ୍ଡ଼ାଉନ’ର ଅର୍ଥ ସରକାରଙ୍କ ଆଦେଶରେ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡ଼ରମାନେ ଉପଭୋକ୍ତାଙ୍କ ପାଇଁ ଇଣ୍ଟରନେଟ ସେବା ବନ୍ଦ କରିବାକୁ ବୁଝାଇଥାଏ । ଅବଶ୍ୟ ପ୍ରାକୃତିକ ବିପର୍ଯ୍ୟୟ, ବୈଷୟିକ ତୃଟି କିମ୍ୱା ବ୍ୟାବସାୟିକ କାରଣରୁ ମଧ୍ୟ ଇଣ୍ଟରନେଟ ସେବା ବନ୍ଦ ହୋଇପାରେ । ତେବେ ଭାରତରେ ସରକାରୀ ଆଦେଶରେ ଇଣ୍ଟରନେଟ ସେବା ବନ୍ଦ କ୍ରମଶଃ ବୃଦ୍ଧି ପାଇଚ଼ାଲିଥିବା ପରିପ୍ରେକ୍ଷୀରେ ଗଣମାଧ୍ୟମ ପୃଷ୍ଠଭୂମିରେ ଏହା ଦୃଷ୍ଟିଆକର୍ଷଣକାରୀ ପ୍ରସଙ୍ଗ ରୂପେ ଆତ୍ମପ୍ରକାଶ କରିବାରେ ଲାଗିଛି ।


 

ଏକ ଆଇନ ପରାମର୍ଶଦାତା ସଂସ୍ଥାର ହିସାବ ଅନୁଯାୟୀ ଆମଦେଶରେ ୨୦୧୨ ରେ ୩ ଥର, ୨୦୧୩ରେ ୫ ଥର ଓ ୨୦୧୪ରେ ୬ ଥର ଇଣ୍ଟରନେଟ ସେବା ବନ୍ଦ ହୋଇଥିବା ସ୍ଥଳେ ୨୦୧୫ରେ ୧୪ ଥର, ୨୦୧୬ ରେ ୩୧ ଥର ଓ ୨୦୧୭ରେ ୭୯ ଥର ଇଣ୍ଟରନେଟ ସେବା ବନ୍ଦ ହୋଇଥିଲା । ୨୦୧୮ରେ ଅଗଷ୍ଟ ମାସ ସୁଦ୍ଧା ୯୫ ଥର ଇଣ୍ଟରନେଟ ସେବା ବନ୍ଦ ହୋଇଛି । ଜାମ୍ମୁ ଓ କାଶ୍ମୀରରେ ୨୦୧୮ରେ ପ୍ରଥମ ଆଠ ମାସରେ ସର୍ବାଧିକ ୩୬ ଥର ଓ ରାଜସ୍ଥାନରେ ୨୬ ଥର ଇଣ୍ଟରନେଟ ସଟ୍ଡ଼ାଉନ ହୋଇଥିବା ଗଣତି କରାଯାଇଛି ।


 

ଭାରତରେ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରୁ ଇଣ୍ଟରନେଟ ସଂଯୁକ୍ତି ତଥା ସ୍ମର୍ଟଫୋନରେ ସୋସିଆଲ ମିଡ଼ିଆ ବ୍ୟବହାର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଥିବା ସ୍ଥଳେ ୨୦୧୨ ରୁ ୨୦୧୮ ସାତବର୍ଷ ମଧ୍ୟରେ ୨୩୩ ଥର ଇଣ୍ଟରନେଟ ସଟ୍ଡ଼ାଉନ ହୋଇଥିବା ଜଣାଯାଏ । ଏଥିମଧ୍ୟରୁ ଶେଷ ଦେଢ଼ ବର୍ଷରେ ୭୫ ପ୍ରତିଶତ ଇଣ୍ଟରନେଟ ସଟ୍ଡ଼ାଉନର ପରିସଂଖ୍ୟାନ ଦେଶରେ ଇଣ୍ଟରନେଟକୁ ନେଇ ପ୍ରଶାସନିକସ୍ତରରେ ନକାରତ୍ମକ ମନୋଭାବ ସୃଷ୍ଟି ବାରିହୁଏ ।


 

ମହାରାଷ୍ଟ୍ରରେ ୨୦୧୮ ଜୁଲାଇ ମାସରେ ମରଠୀ ସଂରକ୍ଷଣ ଦାବି ଆନ୍ଦୋଳନ ଅବସରରେ ଗୁଜବ ରୋକିବା ପାଇଁ ରାଜ୍ୟ ସରକାର ନଭିମୁମ୍ୱାଇରେ ଇଣ୍ଟରନେଟ ସଟ୍ଡ଼ାଉନ ଆଦେଶ ଦେଇଥିଲେ । ଅଗଷ୍ଟ ମାସରେ ରାଜସ୍ଥାନରେ ପରୀକ୍ଷାରେ କପି ରୋକିବା ପାଇଁ ଇଣ୍ଟରନେଟ ସଟ୍ଡ଼ାଉନ କରାଯାଇଥିଲା ।


 

ଇଣ୍ଟରନେଟ ସଟ୍ଡ଼ାଉନ ନିମନ୍ତେ ମୁଖ୍ୟତଃ ତିନିଗୋଟି ଆଇନ ବ୍ୟବହୃତ ହୋଇଥାଏ । ପ୍ରଥମତଃ, ‘କୋଡ଼ ଅଫ କ୍ରିମିନାଲ ପ୍ରୋସିଡ୍ୟୁର ୧୯୭୩’ର ଧାରା ୧୪୪ ଅନୁଯାୟୀ ସର୍ବସାଧାରଣରେ ଶୃଙ୍ଖଳା ବଜାୟରଖିବା ନିମନ୍ତେ ଅସ୍ଥାୟୀଭିତ୍ତିରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ନିମନ୍ତେ ପ୍ରଶାସନିକ ସୁବିଧା ସୁଯୋଗ ରହିଛି । ଏହି ଧାରାର ଉପଯୋଗରେ ଇଣ୍ଟରନେଟ ସଟ୍ଡ଼ାଉନ ଆଦେଶ ଦିଆଯାଇଥାଏ ।


 

ଦ୍ୱିତୀୟତଃ, ‘ଟେଲିଗ୍ରାଫ ଆକ୍ଟ ୧୮୫୫’ର ଧାରା ୫(୨) ଅନୁଯାୟୀ ପ୍ରଶାସନ ପକ୍ଷରୁ ପାରିପାର୍ଶ୍ୱକ ପରିସ୍ଥିତିକୁ ବିଚ଼ାରକୁ ନେଇ ଯେ କୌଣସି ମାଧ୍ୟମର ବେଗ ନିୟନ୍ତ୍ରଣ କରିବା ଅଧିକାର ରହିଛି । ତୃତୀୟତଃ, ‘ଟେମ୍ପରେରି ସସପେନସନ ଅଫ ଟେଲକମ ସର୍ଭିସେସ (ପବ୍ଳିକ ଏମାରଜେନ୍ସି ଅର ପବ୍ଳିକ ସେଫଟି) ରୁଲ ୨୦୧୭’ ମୁତାବକ ଇଣ୍ଟରନେଟ ସେବା ବନ୍ଦ କରିବା ନିମନ୍ତେ ପ୍ରଶାସନିକ ଅଧିକାର ଉପଲବ୍ଧ ।


 

ଆଇନଶୃଙ୍ଖଳାର ଦ୍ୱାହିଦେଇ ପ୍ରଶାସନିକସ୍ତରରେ ଇଣ୍ଟରନେଟ ସଟ୍ଡ଼ାଉନର ବହୁଳ ବ୍ୟବହାର କେତେଦୂର ଯୁକ୍ତିଯୁକ୍ତ ଏ ସଂପର୍କରେ ସଚ଼େତନବର୍ଗରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏଭଳି ଧାରା ମୁକ୍ତ ଅଭିବ୍ୟକ୍ତି ପରମ୍ପରାର ବିରୁଦ୍ଧାଚ଼ରଣ କରୁଛି ବୋଲି ବିଚ଼ାର କରାଯାଏ। ପରିବର୍ତ୍ତିତ ଡ଼ିଜିଟାଲ ପରିବେଶରେ ବ୍ୟବସାୟ, ବିତ୍ତୀୟ କାରବାର, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ସୂଚ଼ନା ସରବରାହ ଇତ୍ୟାଦି ଇଣ୍ଟରନେଟ ଆଶ୍ରିତ ହୋଇଥିବା ଅବସରରେ ଇଣ୍ଟରନେଟ ସଟ୍ଡ଼ାଉନ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହ୍ରାସର କାରଣ ପାଲଟୁଛି । ଇଣ୍ଟରନେଟ ସେବା ବ୍ୟାହତ କରିବା ପୂର୍ବରୁ ଉପଭୋକ୍ତାମାନଙ୍କୁ ଆଗୁଆ ସତର୍କ କରାଇଦେବା ନିମନ୍ତେ ମାର୍ଗଦର୍ଶିକାରେ ଉଲ୍ଲେଖ ଥିବା ସତ୍ତ୍ୱେ ଅନେକ କ୍ଷେତ୍ରରେ ହଠାତ ଇଣ୍ଟରନେଟ ସଟ୍ଡ଼ାଉନ ହେଉଥିବା ହେତୁ ଉପଭୋକ୍ତାମାନେ ସାମୟିକ ଅସୁବିଧାରୁ ବର୍ତ୍ତିବା ନିମନ୍ତେ ଆଗୁଆ ପଦକ୍ଷେପ କିମ୍ୱା ବିକଳ୍ପ ବ୍ୟବସ୍ଥା ଆୟୋଜନ କରିବା ସଂଭବପର ହୋଇପାରୁ ନାହିଁ ।


 

ଇଣ୍ଟରନେଟ ସଟ୍ଡ଼ାଉନରେ ଦ୍ୱିତୀୟସ୍ଥାନ ଅଧିକାର କରୁଥିବା ରାଜସ୍ଥାନରେ ସ୍ଥାନୀୟ ହାଇକୋର୍ଟରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା ବିଚ଼ାରକୁ ନେଇ ରାଜ୍ୟ ସରକାରଙ୍କୁ ଏ ସଂପର୍କରେ ତଥ୍ୟ ଉପସ୍ଥାପନ ନିମନ୍ତେ ୨୫ ଜୁଲାଇ ୨୦୧୮ରେ ଆଦେଶ କରାଯାଇଥିଲା । କେତେକ ତତ୍ତ୍ୱବିତଙ୍କ ମତରେ ଅଭିବ୍ୟକ୍ତିର ସ୍ୱାଧୀନତାରେ ଆଇନପ୍ରଦତ୍ତ ପ୍ରଶାସନିକ ସୁବିଧା ସୁଯୋଗର ଦୁରୋପଯୋଗ କମ୍ କରିବା ନିମନ୍ତେ ନ୍ୟାୟିକ ହସ୍ତକ୍ଷେପ ହିଁ ଏକମାତ୍ର ବିକଳ୍ପ ।


 

ପ୍ରଶ୍ନଉଠେ ଇଣ୍ଟରନେଟ ସଟ୍ଡ଼ାଉନ ପାଇଁ ବାରମ୍ୱାର ପ୍ରଶାସନିକ ନିର୍ଦ୍ଦେଶ କେତେଦୂର ଗ୍ରହଣୀୟ। ଏକ ପକ୍ଷରେ ଇଣ୍ଟରନେଟ ସଂଯୁକ୍ତି ଅଭାବରେ ସାଧାରଣ କ୍ଷେତ୍ରରେ ଯାବତୀୟ ଅସୁବିଧା ଏବଂ ଅପରପକ୍ଷରେ ସୋସିଆଲ ମିଡ଼ିଆର ଦୁରୋପଯୋଗରେ ଶିଷ୍ଟାଚ଼ାର ଓ ଶାନ୍ତିଭଙ୍ଗ ତଥା ସ୍ଥଳବିଶେଷରେ ଆତଙ୍କ ଆୟତ୍ତ କ୍ଷେତ୍ରରେ ପ୍ରଶାସନିକସ୍ତରରେ ଅସହାୟତା ଅଭିଯୋଗ ବିଚ଼ାରକୁ ଆସିଥାଏ ।


 

ଶାନ୍ତିଶୃଙ୍ଖଳା ରକ୍ଷା ରାଜ୍ୟ ସରକାରଙ୍କ ଦାୟିତ୍ୱ । ତେବେ ତତ୍କାଳ ଗୋଷ୍ଠୀବଦ୍ଧ ଶାନ୍ତିଭଙ୍ଗକୁ ଦମନ କରିବା ନିମନ୍ତେ ସ୍ଥଳବିଶେଷରେ ସାଧନହୀନ ମନେହୁଏ । ପୋଲିସ ପକ୍ଷରୁ ଦଙ୍ଗା ନିୟନ୍ତ୍ରଣକୁ ଅନୁଧ୍ୟାନ କଲେ ସୀମିତ ଲୋକଶକ୍ତିରେ ଦାର୍ଘ ଦିନର ଅବଧିରେ ଦୋଷୀକୁ କିପରି ଶାସ୍ତି ବିଧାନ କରାଯାଇଥାଏ ତାହା ସହଜରେ ବୁଝିହୁଏ । ଇଣ୍ଟରନେଟ ମଞ୍ଚରେ ଶାନ୍ତିଭଙ୍ଗ ନିମନ୍ତେ ଉସୁକାଇବା ଦିଗରେ ଅତ୍ୟାଧୁନିକ କ୍ଷୀପ୍ର ଯୋଗାଯୋଗ ସୁବିଧା ସୁଯୋଗ ତଥା ସମାଜର ଏକ ଅଂଶ ଦାୟିତ୍ୱହୀନଭାବେ ହିଂସ୍ର ହୋଇ ଉଠୁଥିବା ଉଦାହରଣରେ ଗୁଜବ ପ୍ରସାରକୁ ରୋକିବା ନିମନ୍ତେ ଇଣ୍ଟରନେଟ ସଟ୍ଡ଼ାଉନର ବିକଳ୍ପ ସହଜରେ ଖୋଜି ପାଇହୁଏନା ।


 

ଇଣ୍ଟରନେଟ ମଞ୍ଚର ଉଚ଼ିତ ବ୍ୟବହାର ନିମନ୍ତେ ତାଲିମ ଅଭାବ ଏଥିର ସୁବିଧା ସୁଯୋଗ ଅପବ୍ୟବହାରର ମୁଖ୍ୟକାରଣ । ଯେକୌଣସି ନୂତନ ବୈଷୟିକ ଉଦ୍ଭାବନ ନିମନ୍ତେ ବ୍ୟବହାରଜନିତ ସଚ଼େତନତା ସୃଷ୍ଟି ଅପରିହାର୍ଯ୍ୟ ହୋଇଥିଲେ ହେଁ ସାମାଜିକସ୍ତରରେ ସେ ଦିଗରେ ଦୃଷ୍ଟି ଦିଆଯାଇପାରୁ ନାହିଁ । ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଶିକ୍ଷାନୁଷ୍ଠାନ ତଥା ସ୍ୱେଚ୍ଛାସେବୀ ସଂଗଠନ ଉଚ଼ିତ ମାର୍ଗଦର୍ଶିକା ଅଭାବରୁ ଏ ଦିଗରେ ତତ୍ପରତା ପ୍ରକାଶ କରୁନାହାନ୍ତି । ଦେଶରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୫୦ କୋଟିରେ ପହଞ୍ଚୁଥିବା ଅବସରରେ ଯାନବାହାନ ନିୟନ୍ତ୍ରଣ ନିମନ୍ତେ ଟ୍ରାଫିକ ସଚ଼େତନତା ଭଳି ସୋସିଆଲ ମିଡ଼ିଆ ସାକ୍ଷରତା ପ୍ରସାର ଜରୁରୀ ଆବଶ୍ୟକତାରେ ପରିଣତ ହୋଇଛି । ଜନସାଧାରଣରେ ଇଣ୍ଟରନେଟ ମଞ୍ଚର ଉଚ଼ିତ ବ୍ୟବହାର ହିଁ ଇଣ୍ଟରନେଟ ସଟ୍ଡ଼ାଉନ ବହୁଳ ବ୍ୟବହାରରେ ରୋକ ଲଗାଇପାରିବ ।            

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ସେପ୍ଟେମ୍ୱର ୨୦୧୮


ତଥ୍ୟ:



Jain, Mayank. India Sees 95 Internet shutdowns in 7 months. Business Standard (Bhubaneswar Edition) August 11 / 12, 2018.

ଇଣ୍ଟରନେଟ ସଟଡ଼ାଉନ ୨୦୨୩ 

ଆନ୍ତର୍ଜାତିକସ୍ତରରେ ଇଣ୍ଟରନେଟ ସେବା ବାରଣ ବା ‘ଇଣ୍ଟରନେଟ ସଟଡ଼ାଉନ’ କ୍ଷେତ୍ରରେ ୨୦୨୩ ପ୍ରଥମାର୍ଦ୍ଧରେ ଭାରତ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ‘ସର୍ଫସାର୍କ’ ନାମକ ଇଣ୍ଟରନେଟ ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ସର୍ବେକ୍ଷଣ ବିବରଣୀରେ ପ୍ରକାଶ ପାଇଥିଲା । ବିଶ୍ୱବ୍ୟାପୀ ଛଅ ମାସରେ ୪୨ ଗୋଟି ଇଣ୍ଟରନେଟ ସଟଡ଼ାଉନ ଚ଼ିହ୍ନଟ କରାଯାଇଥିବା ସ୍ଥଳେ ଭାରତରେ ନଅଗୋଟି ଘଟଣା ଅନ୍ତର୍ଭୁକ୍ତ । ଇରାନରେ ସର୍ବାଧିକ ୧୪ ଥର ଇଣ୍ଟରନେଟ ସଟଡ଼ାଉନ ୧ ଜାନୁୟାରୀରୁ ୩୦ ଜୁନ ୨୦୨୩ ମଧ୍ୟରେ ଘଟିଥିଲା । ଭାରତ ପଛକୁ ପାକିସ୍ଥାନ ତୃତୀୟ ସ୍ଥାନ ଅଧିକାର କରିଥିବା ସ୍ଥଳେ ଛଅମାସରେ ତିନି ଥର ଇଣ୍ଟରନେଟ ସଟଡ଼ାଉନ ରେକର୍ଡ କରାଯାଇଥିଲା ।

 

‘ଇଣ୍ଟରନେଟ ଫ୍ରିଡ଼ମ ଫାଉଣ୍ଡେସନ’ ଓ ‘ହ୍ୟୁମାନ ରାଇଟସ ୱାଚ଼’ର ମିଳିତ ଉଦ୍ୟମରେ ଦେଶରେ ଜାନୁୟାରୀ ୨୦୨୦ରୁ ଡ଼ିସେମ୍ୱର ୨୦୨୨ ତିନି ବର୍ଷ ଧରି ବିଭିନ୍ନ ରାଜ୍ୟରେ ଇଣ୍ଟରନେଟ ସଟଡ଼ାଉନର ପରିମାଣ ଅନୁଧ୍ୟାନ କରାଯାଇଥିଲା । ଜାମ୍ମୁ ଓ କାଶ୍ମୀରକୁ ବାଦ ଦେଇ ୧୮ ଗୋଟି ରାଜ୍ୟରେ ତିନି ବର୍ଷ ମଧ୍ୟରେ ଅନ୍ତତଃ ଥରେ ଇଣ୍ଟରନେଟ ସଟଡ଼ାଉନ ହୋଇଥିଲା । ବିଭିନ୍ନ କାରଣରୁ ଜନସାଧାରଣଙ୍କ ବିକ୍ଷୋଭ ପ୍ରଦର୍ଶନ ଅବସରରେ ୫୭ ଗୋଟି ଘଟଣା ସହ ସରକାରୀ ଚାକିରି ନିଯୁକ୍ତି ପରୀକ୍ଷା ବେଳେ ଉତ୍ତରଖାତାରେ ନକଲ ରୋକିବା ନିମନ୍ତେ ୩୭ ଗୋଟି, ସାଂପ୍ରଦାୟିକ ହିଂସା କାରଣରୁ ୧୮ ଗୋଟି ଏବଂ ଆଇନ ଶୃଙ୍ଖଳା ରକ୍ଷାଲାଗି ୧୮ ଗୋଟି ଘଟଣାରେ ଇଣ୍ଟରନେଟ ସଟଡ଼ାଉନ ଆଦେଶ ଦିଆଯାଇଥିଲା ।

 

ରାଜସ୍ଥାନରେ ସର୍ବାଧିକ ଇଣ୍ଟରନେଟ ସଟଡ଼ାଉନ ହିସାବ କରାଯାଇଥିଲା । ତିନି ବର୍ଷ ମଧ୍ୟରେ ମୋଟ ୮୫ ଗୋଟି ସଟଡ଼ାଉନ ଘଟଣା ମଧ୍ୟରୁ ୪୪ ଗୋଟି ବିକ୍ଷୋଭ ପ୍ରଦର୍ଶନ ରୋକିବା ନିମନ୍ତେ ଉଦ୍ଦିଷ୍ଟ ଥିଲା । ରାଜସ୍ଥାନ, ଅରୁଣାଚଳ ପ୍ରଦେଶ, ପଶ୍ଚିମ ବଙ୍ଗ ଓ ଆସାମରେ ସରକାରୀ ପଦପଦବୀରେ ନିଯୁକ୍ତି ଲାଗି ପରୀକ୍ଷା ଅବସରରେ କପି ରୋକିବା ନିମନ୍ତେ ଇଣ୍ଟରନେଟ ବନ୍ଦ କରାଯାଇଥିଲା । ଅନେକ ଘଟଣାରେ ଉପଦୃତ ଅଞ୍ଚଳଗୁଡ଼ିକରେ ମୋବାଇଲ ଫୋନ ଯୋଗେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିବା ଜଣାଯାଏ । ଉଲ୍ଲେଖଯୋଗ୍ୟ ଭାରତରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ଜନସାଧାରଣ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ମଞ୍ଚରେ ପହଞ୍ଚିଥାନ୍ତି ।

 

ଭାରତରେ ଇଣ୍ଟରନେଟ ସଟଡ଼ାଉନ ପୂର୍ଣ୍ଣ କିମ୍ୱା ଆଂଶିକ ଦୁଇ ରୂପରେ ଦେଖିବାକୁ ମିଳେ । ଏକ ନିର୍ଦ୍ଦିଷ୍ଟ ସମୟ ସୀମାପାଇଁ ଉପଦୃତ ଅଞ୍ଚଳରେ ଇଣ୍ଟରନେଟ ସଂପୂର୍ଣ୍ଣ ବାରଣ କରାଯାଏ କିମ୍ୱା ଆଂଶିକ ଅର୍ଥାତ, ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ କାର୍ଯ୍ୟକରୁଥିବା ସ୍ଥଳେ ମୋବାଇଲ ଇଣ୍ଟରନେଟ କିମ୍ୱା କେତେକ ଆପ ବ୍ୟବହାରକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଥାଏ । ଆଇନଗତ ଦୃଷ୍ଟିରୁ ଆମ ଦେଶରେ ଇଣ୍ଟରନେଟ ସେବା ନାଗରିକଙ୍କ ଅଭିବ୍ୟକ୍ତିରେ ସ୍ୱାଧୀନତା କ୍ଷେତ୍ରରେ ସମ୍ୱିଧାନର ଧାରା ୧୯ ଅନ୍ତର୍ଗତ ମୌଳିକ ଅଧିକାର ରୂପେ ସ୍ୱୀକୃତ । ସରକାରୀସ୍ତରରେ ଇଣ୍ଟରନେଟ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇପାରେ, କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବା ନିଷେଧ । ଇଣ୍ଟରନେଟ ସଟଡ଼ାଉନ ସଂପର୍କୀତ ମାମଲାଗୁଡ଼ିକ ନ୍ୟାୟାଳୟରେ ପର୍ଯ୍ୟାଲୋଚ଼ନାର ସୁବିଧା ଉପଲବ୍ଧ ।

 

ଆମ ଦେଶରେ ୨୦୧୭ ଯାଏଁ ଇଣ୍ଟରନେଟ ସଟଡ଼ାଉନ ପୋଲିସ ଓ ଜିଲ୍ଲା ମାଜିଷ୍ଟ୍ରେଟ ‘କୋଡ଼ ଅଫ କ୍ରିମିନାଲ ପ୍ରୋସିଡ୍ୟୁର’ର ଧାରା ୧୪୪ ଆଧାରରେ ନିର୍ଦ୍ଦେଶନାମା ଜାରି କରିଆସିଥିଲେ । ଇଣ୍ଟରନେଟ ସଟଡ଼ାଉନ ସଂଖ୍ୟା ବୃଦ୍ଧି ପରେ କେନ୍ଦ୍ର ସରକାର ‘ଟେମ୍ପରାରି ସସପେନସନ ଅଫ ଟେଲକମ ସର୍ଭିସେସ (ପବ୍ଳିକ ଏମାରଜେନ୍ସି ଅର ପବ୍ଳିକ ସେଫଟି) ରୁଲ ୨୦୧୭’ ଜାରି କଲେ । ‘ଇଣ୍ଡିଆନ ଟେଲିଗ୍ରାଫ ଏକ୍ଟ ୧୮୫୫’ର ଧାରା ୫(୨) ଅନୁଯାୟୀ ପ୍ରଶାସନ ଇଣ୍ଟରନେଟ ସଟଡ଼ାଉନ ପରିଚାଳନା କରାଯିବା ପ୍ରାବଧାନ ରହିଲା । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ସଚ଼ିବ ଓ ରାଜ୍ୟ ସରକାରଗୁଡ଼ିକର ଘରୋଇ ବିଭାଗ ସଚ଼ିବଗଣ ଟେଲିକମ ସେବା ସାମୟିକ ଭାବେ ବନ୍ଦ କରିବା କ୍ଷମତା ଉପଭୋଗ କଲେ । ଅନ୍ୟାନ୍ୟ ଆଇନ ଉପଯୋଗରେ ଇଣ୍ଟରନେଟ ସଟଡ଼ାଉନକୁ ନିଷେଧ କରାଗଲା ।

 

ଇଣ୍ଟରନେଟ ସଟଡ଼ାଉନ ଘଟଣାବଳୀର ସମୀକ୍ଷା କରିବା ନିମନ୍ତେ କେନ୍ଦ୍ରସ୍ତରରେ କ୍ୟାବିନେଟ ସଚ଼ିବ, ଆଇନ ଓ ଟେଲକମ ବିଭାଗୀୟ ସଚ଼ିବ ଏବଂ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚ଼ିବ, ଆଇନ ଓ ଘରୋଇ ବିଭାଗ ସଚ଼ିବଙ୍କୁ ନେଇ କମିଟି କାର୍ଯ୍ୟ କରିଥାଏ । ପ୍ରତି ଇଣ୍ଟରନେଟ ସଟଡ଼ାଉନର ପାଞ୍ଚଦିନ ମଧ୍ୟରେ ସମୀକ୍ଷା କରିବା ପ୍ରଣାଳୀ ଲାଗୁ କରାଯାଇଛି । ପ୍ରଶାସନିକସ୍ତରରେ ଇଣ୍ଟରନେଟ ସଟଡ଼ାଉନର ବୈଧତା ପ୍ରଶ୍ନ କରି ପତିଦାର ଆନ୍ଦୋଳନ ଅବସରରେ ଗୁଜରାଟ ଉଚ୍ଚ ନ୍ୟାୟାଳୟରେ ମକଦ୍ଦମା ଦାୟର ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମ କୋର୍ଟରେ ଇଣ୍ଟରନେଟ ସଟଡାଉନ ସଂପର୍କରେ ଶୁଣାଣି ହୋଇଛି ।

 

ପରିବର୍ତ୍ତିତ ପରିବେଶରେ ଜନସାଧାରଣ ଯୋଗାଯୋଗ ସହ ଆର୍ଥିକ କାରବାର, ବାଣିଜ୍ୟ-ବ୍ୟବସାୟ, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ପ୍ରଶାସନିକ ସୁବିଧା ସୁଯୋଗ ହାସଲ ଓ ମନୋରଞ୍ଜନ ବିଭିନ୍ନ କ୍ଷେତ୍ରରେ ଇଣ୍ଟରନେଟ ଉପରେ ନିର୍ଭରଶୀଳ ହେଉଥିବା ହେତୁ ଇଣ୍ଟରନେଟ ସଟଡ଼ାଉନ ଫଳରେ ସମାଜ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥାଏ । ଆନ୍ତର୍ଜାତିକସ୍ତରରେ ଇଣ୍ଟରନେଟ ଗତିବିଧି ଅନୁଧ୍ୟାନ କରୁଥିବା ଗବେଷଣା ସଂସ୍ଥା ‘ଟପ-ଟେନ-ଭିପିନ’ ପକ୍ଷରୁ ପ୍ରକାଶିତ ଏକ ବିବରଣୀରେ ୨୦୨୩ ମସିହା ପ୍ରଥମ ଛଅ ମାସରେ ଇଣ୍ଟରନେଟ ସଟଡ଼ାଉନ ଦ୍ୱାରା ଭାରତ ଦୁଇ ହଜାର କୋଟି ଟଙ୍କା ଅର୍ଥନୀତିକ କ୍ଷତି ସହିଥିବା ଉଲ୍ଲେଖ କରାଯାଇଥିଲା । କୁହାଯାଇଥିଲା ଯେ ୨୦୨୨ ବର୍ଷକ ମଧ୍ୟରେ ଇଣ୍ଟରନେଟ ସଟଡ଼ାଉନ ଯୋଗୁଁ ଯେଉଁ ପରିମାଣରେ ଆର୍ଥିକ କ୍ଷତି ହୋଇଥିଲା, ୨୦୨୩ର ପ୍ରଥମାର୍ଦ୍ଧରେ ତାହାଠାରୁ ବଳିଯାଇଛି ।

 

ହିସାବ ଅନୁଯାୟୀ ଆନ୍ତର୍ଜାତିକସ୍ତରରେ ଇଣ୍ଟରନେଟ ସଟଡ଼ାଉନ ହେତୁ ଆର୍ଥିକ କ୍ଷତି ଦୁଇ ବର୍ଷ ଯୁଦ୍ଧରେ ସଂପୃକ୍ତ ରହି ସଦ୍ୟ ମୁକ୍ତ ୟୁଥୋପିଆ ପ୍ରଥମ ଓ ୨୦୨୧ରୁ ସେନାବାହିନୀ ଅଧୀନରେ ପ୍ରଶାସିତ ମିଆଁମାର ଦ୍ୱିତୀୟ ସ୍ଥାନ ଅଧିକାର କରିଥାନ୍ତି । ଭାରତରେ ୨୦୨୩ ଜାନୁୟାରୀ ପହିଲାରୁ ଜୁନ ୧୮ ତାରିଖ ସୁଦ୍ଧା ବିଭିନ୍ନ ଅଞ୍ଚଳରେ ୨,୩୫୩ ଘଣ୍ଟା ଇଣ୍ଟରନେଟ ସଟଡ଼ାଉନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ କେନ୍ଦ୍ର ସରକାର କିମ୍ୱା ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ଇଣ୍ଟରନେଟ ସଟଡ଼ାଉନ ସଂପର୍କରେ ବିଧିବଦ୍ଧ ବିବରଣୀ ବିଜ୍ଞପ୍ତ ହୁଏ ନାହିଁ । ଫଳରେ ଇଣ୍ଟରନେଟ ସଟଡ଼ାଉନ ସଂପର୍କୀତ ତଥ୍ୟ ନିମନ୍ତେ ବେସରକାରୀ, ମୁଖ୍ୟତଃ ବୈଦେଶିକ ଗବେଷଣା ସୂତ୍ରରୁ ଉଦ୍ଧାର କରିବାକୁ ପଡ଼ିଥାଏ ।

 

ଭାରତରେ ପ୍ରଶାସନିକ ନିର୍ଦ୍ଦେଶକ୍ରମେ ଇଣ୍ଟରନେଟ ସଟଡ଼ାଉନର ବିଭିନ୍ନ ଦିଗ ଅନୁଶୀଳନ କଲେ ଆଇନ-ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ଅନ୍ୟତମ ମୁଖ୍ୟ କାରଣ ଚ଼ିହ୍ନଟ ହୋଇଥାଏ । ଏକ ବିକାଶଶୀଳ ରାଷ୍ଚ୍ରରେ ଗଣମାଧ୍ୟମ ସାକ୍ଷରତା ହାର କମ ଥିବା ହେତୁ ଅର୍ଦ୍ଧେକରୁ ଅଧିକ ନାଗରିକ ହାତରେ ଇଣ୍ଟରନେଟ ପହଞ୍ଚିବା ପରେ ଏକପକ୍ଷରେ ସମ୍ୱାଦ ତୁଳନାରେ ବିସମ୍ୱାଦର ଆଦର ବଢ଼ିଛି । ଅପରପକ୍ଷରେ ଅପରାଧି ଗୋଷ୍ଠୀ ସାମାଜିକ ବ୍ୟବସ୍ଥାରେ ସାମାନ୍ୟ ବିଶୃଙ୍ଖଳାକୁ କେନ୍ଦ୍ର କରି ହିଂସାକାଣ୍ଡକୁ ଉସୁକାଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ତତ୍ପର ହୋଇଉଠନ୍ତି । ମୁଖ୍ୟତଃ ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଭିଡ଼ିଓଗୁଡ଼ିକ ଭାଇରଲ ତଥା ଜନସାଧାରଣ ପ୍ରଭାବିତ ହେବା କାରଣରୁ ଇଣ୍ଟରନେଟ ସଟଡ଼ାଉନକୁ ଅମେଘ ଅସ୍ତ୍ର ରୁପେ ବ୍ୟବହାର କରାଯାଇଥାଏ । ତେବେ ଇଣ୍ଟରନେଟ ସଟଡ଼ାଉନ  ଫଳରେ ଅସତ୍ୟ, ଗୁଜବ ଓ ଉଦ୍ଦେଶ୍ୟପ୍ରଣୋଦିତ ସମ୍ୱାଦ ଲୋକମୁଖରେ ଘୁରିବୁଲେ । ଏହି କ୍ଷେତ୍ରରେ ବିସମ୍ୱାଦ ପ୍ରସାର ରୋକିବାରେ ଗଣମାଧ୍ୟମ ସାକ୍ଷରତା ପ୍ରସାର ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ବିଶ୍ୱାସ କରାଯାଇପାରେ ।

 

ରାଜନୀତିକ ଓ ସାମାଜିକ ବିକ୍ଷୋଭ ଭଣ୍ଡୁର କରିବା ନିମନ୍ତେ ଇଣ୍ଟରନେଟ ସଟଡ଼ାଉନ ଶାସକ ଦଳର ଅସହିଷ୍ଣୁତା ପରିପ୍ରକାଶ କରିଥାଏ । ସୁପ୍ରିମ କୋର୍ଟ ପକ୍ଷରୁ ଏଦିଗରେ ସତର୍କ କରାଇ ଇଣ୍ଟରନେଟ ସଟଡ଼ାଉନକୁ ପ୍ରଶାସନିକ ବ୍ୟବସ୍ଥାର ଅଙ୍ଗ ରୂପେ ଗ୍ରହଣ ନକରି ଆଇନଗତ ଦିଗଦର୍ଶନ କଡ଼ାକଡ଼ି ପାଳନ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଏଦିଗରେ ବ୍ୟାପକ ଚ଼େତନା ପ୍ରସାର ଦିଗରେ ନାଗରିକ ସମାଜର ସକ୍ରିୟ ଯୋଗଦାନ ତାତ୍ପର୍ଯ୍ୟପୂର୍ଣ୍ଣ ବିଚାର କରାଯାଏ ।             

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ସେପ୍ଟେମ୍ୱର ୨୦୨୩


ତଥ୍ୟ:

 

Most Internet Shutdown in last 3 years to curb protests: Report Hindustan Times. Jan 15, 2023

 

https://www.hindustantimes.com/india-news/18-indian-states-shut-down-internet-at-least-once-in-3-years-iff-and-hrw-report-on-internet-shutdowns-in-india-101686769925670.html

 

Sawhney, Anoushka. Cost of Net bans till June this year more than in entire 2022. Business Standard (Bhubaneswar Edition). June 10, 2023. 

 ନେଟ ନ୍ୟୁଟ୍ରାଲିଟି ସପକ୍ଷରେ ଭାରତ

ଇଣ୍ଟରନେଟ ସଂଯୁକ୍ତି ବିତରଣ ପ୍ରକ୍ରିୟାରେ ସାମ୍ୟତାକୁ ‘ନେଟନ୍ୟୁଟ୍ରାଲିଟି’ କୁହାଯାଏ । ଇଣ୍ଟରନେଟ ସଂଯୁକ୍ତି ମାଧ୍ୟମରେ ୱାର୍ଲ୍ଡ-ୱାଡ଼-ୱେବରେ ପହଞ୍ଚିହୁଏ । ଉପଭୋକ୍ତାମାନେ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡ଼ରଙ୍କ ମାଧ୍ୟମରେ ଇଣ୍ଟରନେଟରେ ସଂଯୁକ୍ତ ହୋଇଥାନ୍ତି । ସର୍ଭିସ ପ୍ରୋଭାଇଡ଼ରମାନେ ଭିତ୍ତିଭୂମି ଗଠନରେ ବିପୁଳ ଅର୍ଥ ନିବେଶ କରୁଥିବା ଏବଂ ଅପେକ୍ଷାକୃତ ଶସ୍ତାଦରରେ ଖୁଚୁରା ଉପଭୋକ୍ତାମାନଙ୍କୁ ଇଣ୍ଟରନେଟ ସେବା ଯୋଗାଇ ଦେଉଥିବା ଦ୍ୱାହି ଦେଇ ଇଣ୍ଟରନେଟ ସଂଯୁକ୍ତିକ୍ଷେତ୍ରରେ ତାରତମ୍ୟ ରଖିବା ନିମନ୍ତେ ଦାବୀ କରିଥାନ୍ତି । ଉଦାହରଣରେ ସର୍ଭିସ ପ୍ରୋଭାଇଡ଼ରମାନେ ବ୍ୟାବସାୟିକ ବୁଝାମଣା କରି କେତେକ ୱେବ ସାଇଟକୁ ସହଜରେ ପହଞ୍ଚିପାରିବା କିମ୍ୱା କେତେକ ୱେବ ସାଇଟକୁ ଉପେକ୍ଷାକରିବା ପରିବେଶ ସୃଷ୍ଟି ସଂଭବପର । ଏତଦ୍ୱାରା ଇଣ୍ଟରନେଟ ଭଳି ଶକ୍ତିଶାଳୀ ଗଣମାଧ୍ୟମ ପକ୍ଷାପାତିତାରେ ଆକ୍ରାନ୍ତ ହୋଇପଡ଼େ ।


 

ଆନ୍ତର୍ଜାତିକସ୍ତରରେ ନେଟ ନ୍ୟୁଟ୍ରାଲିଟି ସପକ୍ଷରେ ସ୍ୱର ପ୍ରତିଧ୍ୱନିତ ହୋଇଥାଏ । ତେବେ ବ୍ୟାବସାୟିକ, ରାଜନୀତିକ ଓ ସାମାଜିକ କାରଣରୁ କେତେକ କ୍ଷେତ୍ରରେ ଏହି ସ୍ୱାଧୀନତାରେ ଅଙ୍କୁଶ ଜାରୀ କରାଯାଇଥାଏ । ଯୁକ୍ତରାଷ୍ଟ୍ର ଆମେରିକା ଭଳି ସ୍ୱାଧୀନଚେତା ରାଷ୍ଟ୍ରରେ ପୂର୍ବ ପ୍ରଚଳିତ ନେଟ ନ୍ୟୁଟ୍ରାଲିଟି ଆଇନକୁ ୨୦୧୮ ମଧ୍ୟଭାଗରେ ଖାରଜ କରିଦିଆଯାଇଛି । ସେଠାରେ ଯୁକ୍ତି ବଢ଼ାଯାଉଛି ଯେ ନେଟ ନ୍ୟୁଟ୍ରାଲିଟି ପ୍ରତିଯୋଗିତାପୂର୍ଣ୍ଣ ବ୍ୟବସାୟକୁ ଉତ୍ସାହିତ ନ କରୁଥିବା କାରଣରୁ ଇଣ୍ଟରନେଟ ମଞ୍ଚର ଦ୍ରୁତ ବିକାଶରେ ସହାୟକ ହୋଇପାରୁ ନାହିଁ ।


 

ଭାରତରେ ଇଣ୍ଟରନେଟର ସଂପ୍ରସାରଣ ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ବିଳମ୍ୱ ଘଟିଛି । ତେବେ ଭାରତୀୟ ସମ୍ୱିଧାନର ଧାରା ୧୯(କ) ମୁକ୍ତ ଅଭିବ୍ୟକ୍ତି ଆଧାରରେ ଇଣ୍ଟରନେଟ ମଞ୍ଚ ଉପଯୋଗରେ ସ୍ୱାଧୀନତା ମୂଳରୁ ବଳବତ୍ତର ରହିଛି । ଦେଶରେ ଊନବିଂଶ ଶତାଦ୍ଦୀରୁ ଆରମ୍ଭ ହୋଇଥିବା ମୁଦ୍ରିତ ଗଣମାଧ୍ୟମରର ପ୍ରଭାବ କ୍ରମଶଃ ଏକବିଂଶ ଶତାଦ୍ଦୀରେ ଅନ-ଲାଇନ ମଞ୍ଚକୁ ସ୍ଥାନାନ୍ତରିତ ହେଉଥିବା ତଥା ସାକ୍ଷାରତାହାର ବୃଦ୍ଧି ପାଇଚ଼ାଲିଥିବା ଅବସରରେ ଡ଼ିଜିଟାଲ ମଞ୍ଚରେ ସ୍ୱାଧୀନତା ଗୁରୁତ୍ୱ ବହନ କରିଥାଏ ।


 

ଇଣ୍ଟରନେଟ ବିକାଶକ୍ରମରେ ଭାରତରେ ଏକାଥରକେ ଅତ୍ୟାଧୁନିକ ଉତ୍ପାଦ ବ୍ୟବହାର ‘ଲିପ-ଫ୍ରଗ’ ପରିସ୍ଥିତି ସୃଷ୍ଟି ହୋଇଛି । ଡ଼େସ୍କଟପ କମ୍ପୁଟର ବ୍ୟବହାରରେ ଅଜ୍ଞ ୩୦ କୋଟି ସାଧାରଣ ନାଗରିକ ୨୦୧୮ ମଧ୍ୟଭାଗ ସୁଦ୍ଧା ସ୍ମାର୍ଟଫୋନ, ଅପ୍ଲିକେସନ ବ୍ୟବହାରରେ ଅଭ୍ୟସ୍ତ ହୋଇପଡ଼ି ଦୈନିକ ଦେଢ଼ ଘଣ୍ଟାରୁ ଚ଼ାରିଘଣ୍ଟା ଡ଼ିଜିଟାଲ ମଞ୍ଚରେ ସମୟ ଅତିବାହିତ କରିବା ପରିସଂଖ୍ୟାନ ଦେଶରେ ଡ଼ିଜିଟାଲ ସମୃଦ୍ଧିର ପ୍ରତିଛବି ଅଙ୍କନ କରିଥାଏ । ପାରମ୍ପରିକ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଅର୍ଥନୀତି ଓ ଗଣତନ୍ତ୍ର ବିକାଶରେ ଇଣ୍ଟରନେଟର ଯୋଗଦାନ ଏକ ନୂତନ ସମୀକରଣ ସୃଷ୍ଟି କରିବା ଆଶା କରାଯାଏ ।


 

ଭାରତ ସରକାରଙ୍କ ପକ୍ଷରୁ ୨୦୦୪ରେ ପ୍ରଣୀତ ବ୍ରଡ଼ବ୍ୟାଣ୍ଡ ପଲିସି ଦେଶରେ ଇଣ୍ଟରନେଟ ପରିଚ଼ାଳନାରେ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନୀତିଗତ ଘୋଷଣା । ଏହାର ପ୍ରଭାବରେ ୨୦୦୫ରୁ ଇଣ୍ଟରନେଟ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଲା । ୨୦୧୦ରେ ସରକାରଙ୍କ ପକ୍ଷରୁ ୩ଜି ସ୍ପେକ୍ଟ୍ରମ ତଥା ଏହା ପରକୁ ୪ଜି ସ୍ପେକ୍ଟ୍ରମ ନିଲାମ ଇଣ୍ଟରନେଟ ସଂପ୍ରସାରଣରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଘଟଣା । ୨୦୧୮ ମାର୍ଚ୍ଚ ସୁଦ୍ଧା ଦେଶରେ ୪୯ କୋଟି ଇଣ୍ଟରନେଟ ଉପଭୋକ୍ତା ହିସାବ କରାଯାଇଥିଲା । ସେଥି ମଧ୍ୟରେ ୪୧ କୋଟି ବ୍ରଡ଼ବ୍ୟାଣ୍ଡ ତଥା ୪୭ କୋଟି ୱାଇରଲେସ ସଂଯୋଗ ଅନ୍ତର୍ଭୁକ୍ତ । ଦେଶରେ ୩୮ ପ୍ରତିଶତ ନାଗରିକ ଇଣ୍ଟନେଟ ବ୍ୟବହାର କରୁଥିବା ସ୍ଥଳେ ସହରାଞ୍ଚଳରେ ୩୪ କୋଟି ଓ ଗ୍ରାମାଞ୍ଚଳରେ ୧୪ କୋଟି ଉପଭୋକ୍ତା ବସବାସ କରୁଥିବା ଜଣାଯାଏ ।


 

ଇଣ୍ଟରନେଟ ପ୍ରସାର ହେତୁ ଏକ ବୃହତ ଜନସଂଖ୍ୟାର ବିଶ୍ୱାସନୀୟତା ହାସଲପରେ ଆନ୍ତର୍ଜାତିକସ୍ତରରେ କେତେକ ବ୍ୟାବସାୟିକ ପ୍ରତିଷ୍ଠାନ ଇଣ୍ଟରନେଟ ସେବାକୁ ନିୟନ୍ତ୍ରଣ କରିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଥିଲେ । ଏହି ପ୍ରବାହ ଭାରତରେ ମଧ୍ୟ ପ୍ରତିଫଳିତ ହୋଇଥିଲା ।ଫେସବୁକ ପକ୍ଷରୁ ‘ଫ୍ରି ବେସିକ୍ସ’ ଓ ଏୟର-ଟେଲ ପକ୍ଷରୁ ‘ଏୟରଟେଲ ଜିରୋ’ ଯୋଜନାରେ ଜନସାଧାରଣଙ୍କୁ ବିନାମୂଲ୍ୟରେ ଇଣ୍ଟରନେଟ ସେବା ଯୋଗାଇବା ପ୍ରସ୍ତାବ ଉପସ୍ଥାପିତହୋଇଥିଲା । ତେବେ ଏଭଳି ସେବାରେ ଉପଭୋକ୍ତାମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ଇଣ୍ଟରନେଟ ମଞ୍ଚ ପରିଦର୍ଶନରେ ସୀମିତ ରଖିବା ପ୍ରାବଧାନ କରାଯାଇଥିଲା । ଅର୍ଥାତ ମୁକ୍ତ ଇଣ୍ଟରନେଟରେ ଜଣେ ବ୍ୟବହାରକାରୀ ପୃଥିବୀର ସମସ୍ତ ବୈଧ ୱେବସାଇଟ ବ୍ରାଉଜ କରିବା ସୁବିଧା ଉପଲବ୍ଧ ଥିବାବେଳେ ପ୍ରସ୍ତାବିତ ଯୋଜନାରେ ସେବା ପ୍ରଦାନକାରୀଙ୍କ ସହ ବ୍ୟାବସାୟିକ ଅନୁବନ୍ଧନ ପ୍ରାପ୍ତ ମାତ୍ର କେତେଗୋଟି ୱେବସାଇଟ ବ୍ୟବହାର ନିମନ୍ତେ ସୁଯୋଗ ସୀମିତ ରଖିବା ମସୁଧା ହୋଇଥିଲା ।


 

ସ୍ୱାଧୀନଚ଼େତା ଇଣ୍ଟରନେଟ ବିଶାରଦମାନେ ଏହାର ବିରୋଧ କରିଥିଲେ । ୨୦୧୫ରୁ ନେଟନ୍ୟୁଟ୍ରାଲିଟି ସପକ୍ଷରେ ବିଭିନ୍ନସ୍ତରରେ ସ୍ୱର ଉତ୍ତୋଳିତ ହୋଇଥିଲା । ଟେଲିଯୋଗାଯୋଗ ବ୍ୟାପାର ନିୟନ୍ତ୍ରଣ କରୁଥିବା ‘ଟେଲକମ ରେଗୁଲେଟରି ଅଥାରିଟି ଅଫ ଇଣ୍ଡିଆ’ (ଟ୍ରାଇ) ନେଟନ୍ୟୁଟ୍ରାଲିଟି ବଜାୟ ରଖିବା ନିମନ୍ତେ ପ୍ରତିଶୃତିବଦ୍ଧ ରହିଥିଲେ।୨୦୧୭ ନଭେମ୍ୱରମାସରେ ଟ୍ରାଇ ପକ୍ଷରୁ ଦେଶରେ ନେଟ ନ୍ୟୁଟ୍ରାଲିଟି ସପକ୍ଷରେ ନୀତିଗତ ନିଷ୍ପତ୍ତିଲାଗି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ୨୦୧୮ ଜୁଲାଇ ୧୧ରେ ଟେଲିକମ୍ୟୁନିକେସନ ମନ୍ତ୍ରଣାଳୟର ‘ଟେଲକମ କମିସନ’‘ଟ୍ରାଇ’ର ସୁପାରିଶକୁ ଗ୍ରହଣକରି ନେଟ ନ୍ୟୁଟ୍ରାଲିଟି ମଞ୍ଜୁର କରିଥିଲେ ।


 

ଭାରତରେ ନେଟ ନ୍ୟୁଟ୍ରାଲିଟି ପରିବେଶରେ ପ୍ରାୟ ଦେଢ଼ ଶହ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡ଼ରମାନଙ୍କୁ କୌଣସି ପ୍ରକାର ପକ୍ଷପାକ୍ଷିତା କରିବା ନିଷେଧ କରାଯାଇଛି । ଡ଼ାଟା ବିତରଣରେ ଦର ନିର୍ଦ୍ଧାରଣ, ୱେବସାଇଟ ଓ ଆପ୍ଲିକେସନ ବ୍ୟବହାର, ଇଣ୍ଟରନେଟର ବେଗ ନିର୍ଦ୍ଧାରଣ ଇତ୍ୟାଦି କୌଣସି କ୍ଷେତ୍ରରେ ମନମୁତାବକ ନୀତି ଉପଯୋଗ କରିପାରିବେ ନାହିଁ । ତତ୍ସଙ୍ଗେ ନେଟ ନ୍ୟୁଟ୍ରାଲିଟି ଉପଯୋଗ ଓ ବିରୁଦ୍ଧାଚ଼ରଣ ସମୀକ୍ଷା କରାଯାଇ ଦଣ୍ଡ ବିଧାନର ବ୍ୟବସ୍ଥା ରଖାଯିବ ।


 

ଭାରତୀୟ ସାମ୍ୱିଧାନିକ ବ୍ୟବସ୍ଥାରେ ଅଭିବ୍ୟକ୍ତିର ସ୍ୱାଧୀନତା ସ୍ୱଚ୍ଛ । ଏକ ପକ୍ଷରେ କଣ୍ଠରୋଧକୁ ବିରୋଧ କରାଯାଉଥିବା ସ୍ଥଳେ ଅପରପକ୍ଷରେ ଅର୍ଥନୀତିକ, ସାମାଜିକ ଓ ପ୍ରତିରକ୍ଷାମୂଳକ ପରିସ୍ଥିତିକୁ ଆଧାରକରି ଅଭିବ୍ୟକ୍ତିର ସ୍ୱାଧୀନତା ସରକାରୀସ୍ତରରେ ନିୟନ୍ତ୍ରଣ ଲାଗି ସୁବିଧାସୁଯୋଗ ଉପଲବ୍ଧ ।ପାରମ୍ପରିକ ଉଦାରତାକୁ ଆୟୂଧକରି ପ୍ରାକୃତିକ ନେଟ ନ୍ୟୁଟ୍ରାଲିଟି ବଳବତ୍ତର ରଖିବା ନିମନ୍ତେ ବିଧିବିଧାନ ଭାରତୀୟ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଲା ବୋଲି କୁହାଯାଇପାରେ ।             

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୩୧ ଅଗଷ୍ଟ ୨୦୧୮


ତଥ୍ୟ:



Internet Service Providers in India



<https://en.m.wikipedia.org/wiki/List_of_internet_service_providers_in_india>


 

Equality before Internet. Business Standard: (Bhubaneswar Edition). July 13, 2018.


 

Bhargava, Yuthika. Interview / R.S.Sharma ‘Neutral Net Critical for India’. The Hindu.(Cuttack Edition). July 18, 2018.

ଡିଜିଟାଲ ମଞ୍ଚରେ ସ୍ୱାଧୀନ ସାମ୍ୱାଦିକତା

ପ୍ରବୃତ୍ତିଗତଭାବେ ସାମ୍ୱାଦିକତାରେ ଅଭ୍ୟସ୍ତ ହୋଇଯିବାପରେ ନିଜସ୍ୱ ସୃଜନ ପ୍ରକାଶନ ନିମନ୍ତେ ମଞ୍ଚ ଅନ୍ୱେଷଣ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ପ୍ରବୃତ୍ତି ବୃତ୍ତିରେ ପରିବର୍ତ୍ତିତ ହେଲେ ସୃଜନର ଅର୍ଥନୀତିକରଣ ‘ମନିଟାଇଜେସନ’ର ବାଧ୍ୟବାଧକତା ସୃଷ୍ଟି ହୁଏ । ମଞ୍ଚ ସନ୍ଧାନ ତଥା ମଞ୍ଚରେ ଦୀର୍ଘକାଳ ଅବସ୍ଥାନ ଓ ସୃଜନ ସ୍ୱାଧୀନତା ବହୁ କ୍ଷେତ୍ରରେ ବହୁ ସମୟରେ ପରସ୍ପର ବିରୋଧୀ ପ୍ରମାଣିତ । ଏହି ସମସ୍ୟା ସାମ୍ୱାଦିକ ଓ ସାମ୍ୱାଦିକତା ଉଭୟକୁ ଭରାକ୍ରାନ୍ତ କରିବସେ ।


 

ଅନ୍ୟଭାଷାରେ ବର୍ଣ୍ଣନା କଲେ, କୌଣସି ବ୍ୟକ୍ତିଙ୍କ ପକ୍ଷେ ସାମ୍ୱାଦିକତାରେ ଆଗ୍ରହ କ୍ରମେ ଅଭ୍ୟାସ ଏବଂ ପରେ ବୃତ୍ତିରେ ପରିଣତ ହେବା ପରେ ମନଲାଖି ସମ୍ୱାଦପତ୍ର, ଟେଲିଭିଜନ ଚ୍ୟାନେଲ ବା ଇଣ୍ଟରନେଟ ପୋର୍ଟାଲ ଇତ୍ୟାଦି ପ୍ରକାଶକ ଖୋଜିପାଇବା କଷ୍ଟସାଧ୍ୟ ବ୍ୟାପାର । ପୁନଃ, ପ୍ରକାଶନ ମଞ୍ଚରେ ପହଞ୍ଚି ସାରିବା ପରେ ନିଜ ସୃଜନ ସ୍ୱାଧୀନତାରେ ପ୍ରକାଶକ ତଥା ସମ୍ପାଦକଙ୍କ ହସ୍ତକ୍ଷେପ ଅନେକ ସମୟରେ ସହ୍ୟ କରିହୁଏ ନାହିଁ । ଜଣେ ବୃତ୍ତିଧାରୀ ସାମ୍ୱାଦିକ ନିଜ ସୃଜନ ଆୟରୁ ଜୀବିକାର୍ଜନ କରୁଥିବା ହେତୁ ଏହି ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ ନିଜ ଇଚ୍ଛା ବିରୁଦ୍ଧରେ ପରିସ୍ଥିତି ସହ ସାଲିସ କରିବାକୁ ବାଧ୍ୟ ହୁଏ । ସାଲିସ ନ କରିପାରିଲେ ମଞ୍ଚ ପରିତ୍ୟାଗ ପରେ ପୁଣି ମଞ୍ଚ ଅନ୍ୱେଷଣ ଓ ନୂତନ ମଞ୍ଚରେ ଅନୁରୂପ ସମସ୍ୟାରେ ସମ୍ମୁଖୀନ ହେବା ଦେହସୁହା ହୋଇପଡ଼େ ।


 

ସର୍ଜନଶୀଳ ‘କ୍ରିଏଟିଉଭ’ ସାମ୍ୱାଦିକଟିଏ ବହୁ ସମୟରେ ନିଜସ୍ୱ ସୃଜନର ପ୍ରକାଶନ ନିମନ୍ତେ ନିଜସ୍ୱ ମନଲାଖି ମଞ୍ଚଟିଏ ଗଢ଼ିବା ଲାଗି ଅଭିଲାଷ ରଖିଥାଏ । ସ୍ଥୁଳ ହିସାବରେ ନବେ ପ୍ରତିଶତ ସ୍ୱାଧୀନଚେତା ସାମ୍ୱାଦିକ ଜୀବନରେ ଥରେ ଅଧେ ଏହି ଦିଗରେ ଦୁଃସାହାସିକ ପଦକ୍ଷେପ ନେଇଥାନ୍ତି । କିନ୍ତୁ ଅଠାନବେ ପ୍ରତିଶତଙ୍କ ଉଦ୍ୟମ ବିଫଳ ହୋଇଥାଏ । ସେମାନେ ପୁନର୍ବାର ନିଯୁକ୍ତିକେନ୍ଦ୍ରୀକ ସାମ୍ୱାଦିକତାକୁ ଫେରିବାପରେ ପ୍ରତିକୂଳ ପରିସ୍ଥିତି ପ୍ରତି ଅତିଶୟ ସହନଶୀଳ ହୋଇପଡ଼ନ୍ତି । ପ୍ରତିଷ୍ଠିତ ପ୍ରକାଶକମାନେ ସାମ୍ୱାଦିକର ଏହି  ଅବସ୍ଥାର ଭରପୁର ଫାଇଦା ଉଠାଇଥାନ୍ତି ।


 

ସାମ୍ୱାଦିକତା ପ୍ରବୃତ୍ତି ପ୍ରାକୃତିକ । ସଙ୍ଗୀତ, ନୃତ୍ୟ, ଚ଼ିତ୍ରକଳା ବା ଖେଳକୁଦ ଭଳି ଆଗ୍ରହ, ଅଭ୍ୟାସ ଓ ତାଲିମ ସାମ୍ୱାଦିକତାରେ ଦକ୍ଷତା ବିକାଶ କରେ । ଶକ୍ତିଶାଳୀ ମଞ୍ଚରେ ଉପସ୍ଥିତି ସାମ୍ୱାଦିକତା ପ୍ରତିଭାକୁ ପାଠକ, ଶ୍ରୋତା ଓ ଦର୍ଶକଙ୍କ ନିକଟରେ ପହୁଞ୍ଚାଇବାରେ ସମର୍ଥ ହୁଏ । ତେବେ ଅର୍ଥବଳରେ ନିୟନ୍ତ୍ରିତ ଗଣଯୋଗାଯୋଗ ମଞ୍ଚଗୁଡ଼ିକ ଘୋଷିତ ଓ ଅଘୋଷିତ ଧରାବନ୍ଧା ନିୟମାବଳୀ ନିବେଶକ ତଥା ପୃଷ୍ଠପୋଷକଙ୍କ ତୁଷ୍ଠିକରଣରେ ପ୍ରକାଶନର ନୀତି ନିର୍ଦ୍ଧାରଣ କରିଥାନ୍ତି । ଏହି ପରିବେଶରେ ସାମ୍ୱାଦିକତାରେ ସ୍ୱାଧୀନତା ପରିସ୍ପୁଟିତ ହୋଇପାରେ ନାହିଁ । ସ୍ଥଳବିଶେଷରେ ସାମ୍ୱାଦିକତା ପ୍ରତିଭା ମଧ୍ୟ ସହଚ଼ରଙ୍କ ଈର୍ଷାରେ ପ୍ରତିହତ ହୁଏ । ଉଭୟ ଚାପରେ ସାମ୍ୱାଦିକଟି ଅତିଷ୍ଟ ହୋଇ କିଂ-କର୍ତ୍ତବ୍ୟ-ବିମୂଢ଼ ସ୍ଥିତିରେ ପହଞ୍ଚିଥାଏ ।


 

ବ୍ୟକ୍ତିଗତସ୍ତରରେ ସାମ୍ୱାଦିକତା ପ୍ରତିଭା ପରିପ୍ରକାଶ ନିମନ୍ତେ ସମ୍ୱାଦମଞ୍ଚ, ଏପରିକି ପ୍ରତିଷ୍ଠିତ ସମ୍ୱାଦମଞ୍ଚ ହିଁ ପ୍ରକୃଷ୍ଟ କ୍ଷେତ୍ର ପ୍ରସ୍ତୁତ କରିଥାଏ । କିନ୍ତୁ ସେଭଳି ମଞ୍ଚଗୁଡ଼ିକରେ ବିଚ଼ରଣ ସମସ୍ୟାବହୁଳ ହୋଇପଡ଼ିଲେ କୌଣସି ସାମ୍ୱାଦିକ ପକ୍ଷେ ନିଜସ୍ୱ ଉଦ୍ୟମରେ ନୂତନ ସମ୍ୱାଦ ମଞ୍ଚ ଗଠନ ହିଁ ଏକମାତ୍ର ବିକଳ୍ପ । ଏକପକ୍ଷରେ ସାମ୍ୱାଦିକତା ଓ ଗଣମାଧ୍ୟମ ବ୍ୟବସାୟ ପରିଚାଳନା ଦୁଇ ଭିନ୍ନ ପ୍ରବୃତ୍ତି ଏବଂ ଅପରପକ୍ଷରେ ସମ୍ୱାଦମଞ୍ଚ ନିର୍ମାଣ ଓ ପରିଚାଳନା ନିମନ୍ତେ ବିପୁଳ ପୁଞ୍ଜି ଆବଶ୍ୟକ । ଅତଏବ ଏକ ସର୍ଜନଶୀଳ ସାମ୍ୱାଦିକ ପକ୍ଷେ ପାରମ୍ପରିକ ଧାରାରେ ନୂତନ ସମ୍ୱାଦମଞ୍ଚ ଗଠନ ଓ ପରିଚାଳନା ସଂଭବ ହୋଇପାରେନା ।


 

ଏହି ପରିପ୍ରେକ୍ଷୀରେ ଡ଼ିଜିଟାଲ ପରିବେଶ ନୂତନ ସଂଭାବନା ନେଇ ପହଞ୍ଚିଥିଲା । ବିଂଶ ଶତାଦ୍ଦୀ ଶେଷ ଦୁଇ ଦଶକରୁ କ୍ରମବିକଶିତ ଡିଜିଟାଲ କାରିଗରୀ କୌଶଳ ବିଂଶ ଶତାଦ୍ଦୀ ଶେଷ ଦଶକ ଅପରାର୍ଦ୍ଧରେ ସ୍ମାର୍ଟଫୋନର ଉପସ୍ଥିତି ଓ ପରେ ପରେ ଆପ୍ଳିକେସନ ବ୍ୟବହାରରେ ବହୁଳ ସଂଖ୍ୟକ ଉପଭୋକ୍ତା ଦୀର୍ଘସମୟବ୍ୟାପୀ ଇଣ୍ଟରନେଟ ମଞ୍ଚରେ ସଂପୃକ୍ତ ରହିବା ଅଭ୍ୟାସ ସୃଷ୍ଟିପରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଡ଼ିଜିଟାଲ ମଞ୍ଚ କ୍ରମଶଃ ସମ୍ୱାଦ ସରବରାହର ପ୍ରମୁଖ ମାଧ୍ୟମ ପାଲଟିଥିଲା ।


 

ସାମ୍ୱାଦିକମାନଙ୍କ ନିମନ୍ତେ ଏକକ ପ୍ରଚ଼େଷ୍ଟାରେ ବ୍ଳଗ, ସୋସିଆଲ ମିଡ଼ିଆ, ପୋର୍ଟାଲ ଉପଯୋଗରେ ସ୍ୱାଧୀନ ସାମ୍ୱାଦିକତା ପରିପ୍ରକାଶର ପ୍ରଶସ୍ତ ସୁଯୋଗ ପ୍ରତୀୟମାନ ହେଉଥିଲେ ହେଁ ଅର୍ଥନୀତିକରଣ ଦିଗରୁ ଡିଜିଟାଲ ମଞ୍ଚରେ ସ୍ୱାଧୀନ ସାମ୍ୱାଦିକତା ସ୍ୱାବଲମ୍ୱୀ ‘ସଷ୍ଟେନବେଲଟି’ ସଂଭବ ହୋଇନଥାଏ । ମଞ୍ଚର ବୈଷୟିକ ତଦାରଖ ସାଙ୍ଗକୁ ସାମ୍ୱାଦିକ ପକ୍ଷେ ନିଜସ୍ୱ ଉତ୍ପାଦ ବିଜ୍ଞପିତ କରି ପାଠକ ସୃଷ୍ଟି କରିବା ତଥା ଗ୍ରାହକଚାନ୍ଦା କିମ୍ୱା ବିଜ୍ଞାପନ ଆୟ ପରିଚାଳନା ଇତ୍ୟାଦି ସମସ୍ୟାବହୁଳ । ଡ଼ିଜିଟାଲ କ୍ଷେତ୍ରରେ ମଧ୍ୟ ସାମ୍ୱାଦିକକୁ ବାଧ୍ୟବାଧକତାରେ ପ୍ରତିଷ୍ଠିତ ମଞ୍ଚରେ ଯୋଗଦେଇ ପୂର୍ବବତ ଅପହୃତ ସ୍ୱାଧୀନତା ପରିଧିରେ ବନ୍ଦୀ ହେବାକୁ ପଡ଼ିଥାଏ ।


 

ଏହି ସମସ୍ୟାର ସମାଧାନ ନିମନ୍ତେ କ୍ରମାଗତ ଉଦ୍ୟମ ଜାରି ରହିଥିଲା । ମୁଖ୍ୟତଃ ବ୍ୟାବସାୟିକ ଇ-ମେଲ ନିଉଜଲେଟରର ଲୋକପ୍ରିୟତା ଏବଂ ଡିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକ ଦ୍ୱାରା ନିଜସ୍ୱ ଉତ୍ପାଦ ପ୍ରଚାର ଓ ଗ୍ରାହକ ସୃଷ୍ଟିଲାଗି ବ୍ୟବହୃତ ହେବା ପରେ ଇ-ମେଲ ନିଉଜଲେଟରକୁ ସମ୍ୱାଦ ବିତରଣ ମାଧ୍ୟମ ରୂପେ କେତେକ ସ୍ୱାଧୀନ ସାମ୍ୱାଦିକ ଗ୍ରହଣ କରିଥିଲେ । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ମଧ୍ୟଭାଗରୁ ସମ୍ୱାଦଭିତ୍ତିକ ଇ-ମେଲ ନିଉଜଲେଟର ବୈଷୟିକ ଓ ଗ୍ରାହକଚାନ୍ଦା ସଂଗ୍ରହଜନିତ ବ୍ୟାବସାୟିକ କାର୍ଯ୍ୟ ତଦାରଖ କରିବା ନିମନ୍ତେ ସ୍ୱୟଂକ୍ରିୟ ସୁଯୋଗ ସହ ସ୍ୱତନ୍ତ୍ର ପ୍ଲାଟଫରମ ସୃଷ୍ଟିପ୍ରତି ଧ୍ୟାନ ଦିଆଯାଇଥିଲା ।


 

ଇ-ମେଲ ନିଉଜଲେଟର କ୍ଷେତ୍ରରେ ପ୍ରସିଦ୍ଧିଲାଭ କରିଥିବା ଷ୍ଟାର୍ଟଅପ ‘ଟାଇନି-ଲେଟର’କୁ ପ୍ରତିଷ୍ଠିତ ମାର୍କିନ ବ୍ୟାବସାୟିକ ଡ଼ାକ ପରିଚାଳନା ପ୍ରତିଷ୍ଠାନ ‘ମେଲ-ଚାମ୍ପ’ ଅଧିଗ୍ରହଣ ଏହି କ୍ଷେତ୍ରରେ ପ୍ରଥମ ଅଧ୍ୟାୟ । ପରବର୍ତ୍ତୀ  ପର୍ଯ୍ୟାୟରେ ୨୦୧୭ରେ ସ୍ୱାଧୀନ ସାମ୍ୱାଦିକତାକୁ ଉତ୍ସାହିତ କରିବା ନିମନ୍ତେ ‘ସବଷ୍ଟାକ’ ମଞ୍ଚର ଆତ୍ମପ୍ରକାଶ ଦ୍ୱିତୀୟ ଉଲ୍ଲେଖନୀୟ ପଦକ୍ଷେପ । ତୃତୀୟ ପର୍ଯ୍ୟାୟରେ ଲୋକପ୍ରିୟ ସୋସିଆଲ ମିଡ଼ିଆ ମଞ୍ଚ ‘ଫେସବୁକ’ ଓ ‘ଟୁଇଟର’ ପକ୍ଷରୁ ସ୍ୱାଧୀନ ସାମ୍ୱାଦିକତାର ବିକାଶ କଳ୍ପେ ଇ-ମେଲ ନିଉଜଲେଟର ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ସୃଷ୍ଟି ସଂପର୍କରେ ୨୦୨୧ ମାର୍ଚ୍ଚ ମାସରେ ଘୋଷଣା ଆନ୍ତର୍ଜାତିକସ୍ତରରେ ସ୍ୱାଧୀନ ସାମ୍ୱାଦିକତା ସଶକ୍ତିକରଣ ଦିଗରେ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଏ ।


 

ସମ୍ୱାଦିକତାର ଅୟମାରମ୍ଭରୁ ସାମୟିକ ପତ୍ରାଂଶ ‘ନିଉଜଲେଟର’ ଯୋଡ଼ି ହୋଇ ଆସିଛି । ଭାରତରେ ମୋଗଲ ଶାସନ କାଳରେ ହସ୍ତଲିଖିତ ନିଉଜଲେଟର ପ୍ରଶାସନିକ ଓ ବ୍ୟାବସାୟିକସ୍ତରରେ ବ୍ୟବହୃତ ହେଉଥିଲା । ଆକବରଙ୍କ ରାଜତ୍ୱ କାଳରେ ସେ ସମ୍ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସମ୍ୱାଦ ଲେଖକ ‘ୱାକିୟନଭିସ’ମାନଙ୍କୁ ନିଯୁକ୍ତ କରିଥିଲେ । କୋଣ-ଅନୁକୋଣର ସମ୍ୱାଦ ସ୍ୱତନ୍ତ୍ର ଭାବେ ନିଯୁକ୍ତ ଅଶ୍ୱାରୋହୀଙ୍କ ଦ୍ୱାରା ଦିଲ୍ଲୀ ଦରବାରରେ ପହଞ୍ଚୁଥିଲା ଏବଂ ପ୍ରତ୍ୟେହ ସଂଧ୍ୟାରେ ସମ୍ରାଟଙ୍କୁ ପଢ଼ି ଶୁଣାଯାଉଥିଲା । ସେହିପରି ବିଭିନ୍ନ ବ୍ୟାବସାୟିକ ପେଣ୍ଠରେ ଦ୍ରବ୍ୟାଦିର ଦର ସମ୍ୱାଦ ଲେଖକମାନେ ପତ୍ରାଂଶରେ ଲେଖି ଦେଶର ଅନ୍ୟାନ୍ୟ ପେଣ୍ଠର ବ୍ୟବସାୟୀମାନଙ୍କ ନିକଟକୁ ପ୍ରେରଣ କରୁଥିଲେ । ଏହି ସେବାଗ୍ରହଣ ନିମନ୍ତେ ଗ୍ରାହକଚାନ୍ଦାର ବ୍ୟବସ୍ଥା ଥିଲା ।


 

ମୁଦ୍ରଣଯନ୍ତ୍ରର ଉଦ୍ଭାବନପରେ ଇଂଲ୍ୟାଣ୍ଡ ଓ ୟୁରୋପୀୟ ଦେଶପୁଞ୍ଜରେ ମୁଦ୍ରିତ ନିଉଜଲେଟର ଦୈନିକ ସମ୍ୱାଦପତ୍ରର ମୂଳଉତ୍ସ ଭାବେ ଦୀର୍ଘ ଦିନଧରି ଲୋକାଦୃତ ହୋଇଥିଲା । ସପ୍ତଦଶ ଶତାଦ୍ଦୀ ଆରମ୍ଭରୁ ସମ୍ୱାଦ ସରବରାହର ମୂଳ ମାଧ୍ୟମ ପାଲଟିଥିବା ନିଉଜଲେଟର ପରବର୍ତ୍ତୀକାଳରେ ମଧ୍ୟ ଗୁରୁତ୍ୱ ହରାଇ ନଥିଲା । ଯୁକ୍ତରାଷ୍ଟ୍ର ଆମେରିକା ଭଳି ରାଷ୍ଟ୍ରରେ ରାଜନୀତି ଓ ବ୍ୟବସାୟକ୍ଷେତ୍ରରେ ଗଭୀର ଆଞ୍ଚଳିକ ‘ହାଇପର-ଲୋକାଲ’ ସମ୍ୱାଦ ପ୍ରସାରଣ ନିମନ୍ତେ ନିଉଜଲେଟରର ବ୍ୟବହାର କ୍ରମାଗତଭାବେ ଜାରି ରହିଥିଲା ।


 

ଉଦାହରଣରେ ପୂର୍ବ-ଉପକୂଳସ୍ଥିତ ରାଜଧାନୀ ୱାଶିଂଟନର କ୍ଷମତା ବଳୟରେ ପଶ୍ଚିମ-ଉପକୂଳସ୍ଥିତ ସୁଦୂର ଓରେଗାନ ନିମନ୍ତେ ରାଜନୀତିକସ୍ତରରେ କ’ଣ ବିଚାର ଚାଲିଛି ତାହାର ଧାରାବିବରଣୀ ଜଣେ ସ୍ୱାଧୀନ ସାମ୍ୱାଦିକ ନିୟମିତ ପରିବେଷଣ କରିଥାନ୍ତି । ଓରେଗାନର ଶିଳ୍ପପତି ଓ ରାଜନୀତିକ ନେତୃବର୍ଗ ଏହିଭଳି ନିଉଜଲେଟର ପାଠକ ଓ ଗ୍ରାହକଶ୍ରେଣୀଭୁକ୍ତ । ସେହିପରି ବ୍ୟାବସାୟିକ କ୍ଷେତ୍ରରେ ବିଭିନ୍ନ ବିଷୟଭିତ୍ତିକ ନିଉଜଲେଟରର ମଧ୍ୟ ଚାହିଦା ରହିଆସିଛି । ଇଣ୍ଟରନେଟର ପ୍ରସାରପରେ ଏହି ନିଉଜଲେଟରଗୁଡ଼ିକ ଇ-ମେଲ ନିଉଜଲେଟରରେ ପ୍ରବର୍ତ୍ତିତ ହୋଇଥିଲା ।


 

ସ୍ୱାଧୀନ ସାମ୍ୱାଦିକମାନଙ୍କ ଦ୍ୱାରା ନିଜସ୍ୱ ଇ-ମେଲ ନିଉଜଲେଟର ଯୋଗେ ସମ୍ୱାଦ ବିତରଣ ଏବଂ ଉପଭୋକ୍ତାଙ୍କଠାରୁ ଗ୍ରାହକଚାନ୍ଦା ଆଦାୟ ନିମନ୍ତେ ସ୍ୱତନ୍ତ୍ର ମଞ୍ଚଭାବେ ‘ସବଷ୍ଟାକ’ ପ୍ରସ୍ତୁତ ହୋଇଛି । ଏହାର ତିନିଜଣ ପ୍ରତିଷ୍ଠାତାଙ୍କ ମଧ୍ୟରୁ ଜଣେ ଭାରତୀୟ ବଂଶୋଦ୍ଭବ । ‘ସବଷ୍ଟାକ’ ବୈଷୟିକ ଦୃଷ୍ଟିରୁ ଏକ ଶକ୍ତିଶାଳୀ ମଞ୍ଚ । ଇ-ମେଲ ନିଉଜଲେଟର ପ୍ରସ୍ତୁତି, ବିତରଣ ଏବଂ ଗ୍ରାହକ ଚାନ୍ଦା ହିସାବ ସ୍ୱୟଂକ୍ରିୟ ପଦ୍ଧତିରେ ସମାହିତ ହୋଇଥାଏ । ସାମ୍ୱାଦିକ କେବଳ ନିଜ ରଚନା ପ୍ରସ୍ତୁତି ନିମନ୍ତେ ତଥ୍ୟ ସଂଗ୍ରହ, ସୃଜନ ଓ ସଂଶୋଧନରେ ସମୟ ବିନିଯୋଗ କରେ ।


 

ପ୍ରାୟୋଜକଗଣ ‘ସବଷ୍ଟାକ’କୁ ଏକ ଦେୟଯୁକ୍ତ ମଞ୍ଚ ରୂପେ ବିକଶିତ କରିଛନ୍ତି । ଅର୍ଥାତ ଯେକୌଣସି ବ୍ୟକ୍ତି ବିନା ଅର୍ଥ ବ୍ୟୟରେ ଏହି ମଞ୍ଚରେ ନିଜସ୍ୱ ଇ-ମେଲ ନିଉଜଲେଟର ପ୍ରକାଶ କରିପାରେ । ଏହା ଉଭୟ ଦେୟମୁକ୍ତ ବା ଦେୟଯୁକ୍ତ ରଖିବା ଲେଖକଙ୍କ ଇଚ୍ଛାଧୀନ । ଦେୟମୁକ୍ତ ଇ-ମେଲ ନିଉଜଲେଟର ପ୍ରକାଶନ ବାବଦରେ ମଞ୍ଚ ପରିଚାଳକ କୌଣସି ଅର୍ଥ ଦାବୀ କରନ୍ତି ନାହିଁ । ତେବେ ଦେୟଯୁକ୍ତ ଇ-ମେଲ ନିଉଜଲେଟର ଗ୍ରାହକଚାନ୍ଦାରୁ ମଞ୍ଚ ପରିଚାଳକ ଦଶ ପ୍ରତିଶତ କମିଶନ କାଟିଥାନ୍ତି ।


 

‘ସବଷ୍ଟାକ’ ୨୦୧୭ ଜୁନ ମାସରୁ ଆରମ୍ଭ ହେବାପରେ ଦେଶବିଦେଶର ବହୁ ମୁକ୍ତବୃତ୍ତି ସାମ୍ୱାଦିକ ଏହି ମଞ୍ଚରେ ଅବତୀର୍ଣ୍ଣ ହୋଇଥିଲେ । ତିନି ବର୍ଷପରେ ମହାମାରୀ ଆକ୍ରାନ୍ତ ପାଶ୍ଚାତ୍ୟଭୂଖଣ୍ଡରେ ବହୁ ପ୍ରତିଷ୍ଠିତ ସମ୍ୱାଦ ମଞ୍ଚ ଦୁରାବସ୍ଥାର ଶୀକାର ହେବା, ବନ୍ଦ ହୋଇଯିବା ତଥା ସାମ୍ୱାଦିକ ଛଟେଇ ଅବସରରେ ସେମାନେ ଇ-ମେଲ ନିଉଜଲେଟର ପ୍ରକାଶନ ନିମନ୍ତେ ‘ସବଷ୍ଟାକ’ରେ ପହଞ୍ଚିଥିଲେ । ମହାମାରୀକାଳରେ ଅସତ୍ୟ ସମ୍ୱାଦରେ ଅତିଷ୍ଠହୋଇ ଉଚ୍ଚବର୍ଗର ସମ୍ୱାଦଗ୍ରାହକମାନେ ନିର୍ଭରଯୋଗ୍ୟ ଲୋକପ୍ରିୟ ସାମ୍ୱାଦିକମାନଙ୍କ ସନ୍ତୁଳିତ ସମ୍ୱାଦ ପାଠକରିବା ନିମନ୍ତେ ଇମେଲ ନିଉଜଲେଟର ଗ୍ରାହକ ଶ୍ରେଣୀଭୁକ୍ତ ହେବା ପାଇଁ ଆଗେଇ ଆସିଥିଲେ ।


 

ପ୍ରତିଷ୍ଠିତ ସମ୍ୱାଦିକମାନଙ୍କୁ ‘ସବଷ୍ଟାକ’ ମଞ୍ଚରେ ସ୍ୱାଧୀନ ସାମ୍ୱାଦିକତାରେ ମନୋନିବେଶ କରିବା ନିମନ୍ତେ ବହୁବିଧ ପ୍ରୋତ୍ସାହନଭିତ୍ତିକ ଯୋଜନା ଲାଗୁ କରାଯାଇଛି । ବୃତ୍ତିଧାରୀ ସାମ୍ୱାଦିକମାନେ ନିଯୁକ୍ତି ପରିତ୍ୟାଗ କରି ଇ-ମେଲ ନିଉଜଲେଟର ପ୍ରକାଶନ କାଳରେ ପ୍ରାଥମିକ ଅବସ୍ଥାରେ ଗ୍ରାହକମଣ୍ଡଳୀ ସଂଗଠିତ କରିବାଯାଏଁ ଗୁଜରାଣ ମେଣ୍ଟାଇବା ନିମନ୍ତେ ‘ସବଷ୍ଟାକ’ ପକ୍ଷରୁ ଅଗ୍ରୀମ ଅର୍ଥ ପ୍ରଦାନ ବ୍ୟବସ୍ଥା କରାଯାଇଛି । ପ୍ରକାଶନଗୁଡ଼ିକ ପ୍ରତିଷ୍ଠିତ ହେବାପରେ ପର୍ଯ୍ୟାୟକ୍ରମେ ପ୍ରଦତ୍ତ ଅର୍ଥରାଶି ଫେରସ୍ତ ନିଆଯାଇଥାଏ । ସେହିପରି ଗ୍ରାଣ୍ଟ, ଫେଲୋସିପ ଓ ମେନଟରସିପର ସୁଯୋଗ ମଧ୍ୟ ଉପଲବ୍ଧ । ଏହି ସବୁ ସୁବିଧା ସୁଯୋଗ ଅଧିକ ପ୍ରତିଭାବାନ ସାମ୍ୱାଦିକଙ୍କୁ ସ୍ୱାଧୀନ ସାମ୍ୱାଦିକତା ନିମନ୍ତେ ଆକୃଷ୍ଟ କରିବା ବିଶ୍ୱାସ କରାଯାଏ ।


 

‘ସବଷ୍ଟାକ’ର ସଫଳତା ପରେ ‘ଫେସବୁକ’ପକ୍ଷରୁ ସ୍ୱାଧୀନ ସାମ୍ୱାଦିକତାର ପରିପ୍ରସାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ପରୀକ୍ଷାମୂଳକ ଭାବେ ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ମଞ୍ଚ ପ୍ରତିଷ୍ଠା ସଂପର୍କରେ ମାର୍ଚ୍ଚ ୨୦୨୧ରେ ଘୋଷଣା କରାଯାଇଛି । ‘ଫେସବୁକ’ରେ ସ୍ୱାଧୀନ ସାମ୍ୱାଦିକତା ନିମନ୍ତେ ସ୍ୱତନ୍ତ୍ର ୱେବସାଇଟ ଓ ଇମେଲ ନିଉଜଲେଟର ସୁଯୋଗ ସୃଷ୍ଟି କରାଯିବ । ସ୍ୱାଧୀନ ସାମ୍ୱାଦିକମାନେ ଫେସବୁକ ମଞ୍ଚରେ ସୃଜନ ପ୍ରଦର୍ଶନ ଏବଂ ଦେୟଯୁକ୍ତ ପ୍ରକାଶନ ନିମନ୍ତେ ଗ୍ରାହକ ଚାନ୍ଦା ସଂଗ୍ରହ ସକାଶେ ସ୍ୱୟଂକ୍ରିୟ ବୈଷୟିକ ଦକ୍ଷତା ଯୋଗାଇଦେବା ଲାଗି କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ । ଏଥିରେ ପାଠ୍ୟ ସାଙ୍ଗକୁ ଚ଼ିତ୍ର ଓ ଲାଇଭ ଭିଡ଼ିଓ ପ୍ରଦର୍ଶିତ ହୋଇପାରିବ । ଉପଭୋକ୍ତାମାନେ ସ୍ୱତନ୍ତ୍ର ସୂଚିପତ୍ର ବ୍ରାଉଜକରି ମନଲାଖି ନିଉଜଲେଟର ବାଛି ପାରିବେ । ପ୍ରକାଶିତ ନିଉଜଲେଟରଗୁଡ଼ିକ ପାଠକମାନେ କେଉଁପରିମାଣରେ ପସନ୍ଦ କରୁଛନ୍ତି ତାହା ଲେଖକମାନେ ନିଜସ୍ୱ ଡେସବୋର୍ଡରୁ ଜାଣିପାରିବେ । ଗୁଣାତ୍ମକ ପ୍ରକାଶନ ନିମନ୍ତେ ‘ଫେସବୁକ’ ପକ୍ଷରୁ ସାମ୍ୱାଦିକମାନଙ୍କର ତାଲିମର ବ୍ୟବସ୍ଥା ମଧ୍ୟ କରାଯିବ ।


 

‘ଫେସବୁକ’ର ଗ୍ଳୋବାଲ ପାର୍ଟନରସିପ ଉପସଭାପତି ଓ ନିଉଜ ପ୍ରୋଡ଼କ୍ଟ ପରିଚାଳକ ଏକ ମିଳିତ ବ୍ଳଗ ପୋଷ୍ଟରେ ୧୬ ମାର୍ଚ୍ଚ ୨୦୨୧ରେ ଉଲ୍ଲେଖ କରିଥିଲେ ଯେ କ୍ରମଶଃ ଅଭିଜ୍ଞ ସାମ୍ୱାଦିକ ଓ ବିଶେଷଜ୍ଞମାନେ ସ୍ୱାଧୀନଭାବେ ଅନଲାଇନ ପ୍ରକାଶନ ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି । ବିଭିନ୍ନ କାରଣରୁ ଆଞ୍ଚଳିକ ସମ୍ୱାଦ ପ୍ରକାଶନ ମଞ୍ଚଗୁଡ଼ିକ ବ୍ୟାବସାୟିକ ମଡ଼େଲରେ ବିଘଟନ ହେତୁ ବିକଳ୍ପ ବ୍ୟବସ୍ଥାର ଆବଶ୍ୟକତା ଅନୁଭୂତ ହେଉଛି । ସମ୍ୱାଦ ମଞ୍ଚର ପ୍ରସାରକଳ୍ପେ ‘ଫେସବୁକ’ ପକ୍ଷରୁ ଫେସବୁକ ଜର୍ଣ୍ଣାଲିଜମ ପ୍ରୋଜେକ୍ଟ , ଫେସବୁକ ନିଉଜ, ଏସିଲେରେଟର, ଇନଷ୍ଟାଣ୍ଟ ଆର୍ଟିକଲ୍ସ ଓ ଗ୍ରାଣ୍ଟସ ଭଳି ଉତ୍ପାଦ ପ୍ରଚଳିତ ଥିବା ସ୍ଥଳେ ସେଥିରେ ନୂତନ ବିଭବ ସଂଯୋଜିତ ହେବ ।


 

‘ଫେସବୁକ’ ପରକୁ ‘ଟୁଇଟର’ ପକ୍ଷରୁ ସ୍ୱାଧୀନ ସାମ୍ୱାଦିକତା ପରିପ୍ରସାର କ୍ଷେତ୍ରରେ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି । ‘ରେଭ୍ୟୁ’ ନାମକ ଏକ ଇ-ମେଲ ନିଉଜଲେଟର ମଞ୍ଚକୁ ‘ଟୁଇଟର’ ଅଧିଗ୍ରହଣ କରିଛି । ଗ୍ରାହକ ଦେୟଯୁକ୍ତ ନିଉଜଲେଟର ପ୍ରକାଶନ ବ୍ୟବସାୟରେ ସ୍ୱାଧୀନ ସାମ୍ୱାଦିକମାନଙ୍କ ଆୟରୁ ପାଞ୍ଚ ପ୍ରତିଶତ ପରିଚାଳନା ଶୁଳ୍କ ଆଦାୟ କରିବ ବୋଲି କୁହାଯାଉଛି । ବିଶେଷଜ୍ଞମାନେ ପୂର୍ବାନୁମାନରେ ଦର୍ଶାଉଛନ୍ତି ଯେ ‘ଟୁଇଟର’ ଭବିଷ୍ୟତରେ ପାଠ୍ୟ ବଦଳରେ ଅଡ଼ିଓ ଓ ଭିଡ଼ିଓ ମେସେଜକୁ ପ୍ରାଧାନ୍ୟ ଦେବ । ଏହି ପରିପ୍ରେକ୍ଷୀରେ ସ୍ୱାଧୀନ ସାମ୍ୱାଦିକମାନଙ୍କ ଉପସ୍ଥିତିରେ ଏକ ଶକ୍ତିଶାଳୀ ସମ୍ୱାଦମଞ୍ଚ ରୂପେ ବିକଶିତ ହେବ ।


 

ଓଡ଼ିଶା ପରିବେଶରେ ଆନ୍ତର୍ଜାତିକ, ମୁଖ୍ୟତଃ ବିକଶିତ ରାଷ୍ଟ୍ରଗୁଡ଼ିକର ସାମ୍ୱାଦିକତା ପୃଷ୍ଠଭୂମିର ବିପରୀତ ଚିତ୍ର ଦେଖିବାକୁ ମିଳିଥାଏ । ପ୍ରଥମତଃ, ଏଠାରେ ସଂଖ୍ୟାଗଣତିରେ ପଞ୍ଚାନବେରୁ ଅଠାନବେ ଯାଏଁ ବୃତ୍ତିଧାରୀ ସାମ୍ୱାଦିକ ସ୍ୱାଧୀନ । ପ୍ରାୟ ସମସ୍ତେ ମୁକ୍ତ ବୃତ୍ତି ପର୍ଯ୍ୟାୟଭୁକ୍ତ । ଦ୍ୱିତୀୟତଃ, ପାରମ୍ପରିକଭାବେ ଏଠାକାର ଉପଭୋକ୍ତା ସମ୍ୱାଦ ଉତ୍ପାଦ ନିମନ୍ତେ ସଂପୂର୍ଣ୍ଣ ମାଗଣା ବା କମ ଖର୍ଚ୍ଚରେ ମୁଦ୍ରିତ ସମ୍ୱାଦପତ୍ର ବା ଟେଲିଭିଜନ ଚ୍ୟାନେଲ ବ୍ୟବହାରରେ ଅଭ୍ୟସ୍ତ । ଯୁବବର୍ଗ ଅନଲାଇନ ମନୋରଞ୍ଜନ ଓ କ୍ରୀଡ଼ା ନିମନ୍ତେ ଗ୍ରାହକଚାନ୍ଦା ଦେବାରେ ପ୍ରାଥମିକ ସୋପାନରେ ରହିଛନ୍ତି । ତୃତୀୟତଃ, ରାଜ୍ୟରେ ଇଣ୍ଟରନେଟ ସଂଯୁକ୍ତି କ୍ଷୀଣ ଏବଂ ଅନଲାଇନରେ ଇ-ମେଲ ବ୍ୟବହାର ଅତିଶୟ କମ । ଏହି ଦୃଷ୍ଟିରୁ ଇ-ମେଲ ନିଉଜଲେଟର ସ୍ୱଚ୍ଛଳ ବର୍ଗର ଉଚ୍ଚଶିକ୍ଷିତ ସ୍ୱଳ୍ପ ସଂଖ୍ୟକଙ୍କ ବ୍ୟବହାରରେ ଲାଗିଥାଏ । ତେବେ ‘ଫେସବୁକ’ ଭଳି ମଞ୍ଚ ଭବିଷ୍ୟତରେ, ଅନ୍ତତଃ ୨୦୨୩ରୁ ୨୫ ସୁଦ୍ଧା ଏଠାରେ ସ୍ୱାଧୀନ ସାମ୍ୱାଦିକତା ପ୍ରକାଶନ ନିମନ୍ତେ ସ୍ୱତନ୍ତ୍ର ମଞ୍ଚ ଉପସ୍ଥାପନ କଲେ ତତ୍ କାଳୀନ ପରିବେଶରେ ସମ୍ୱାଦମଞ୍ଚ ପରିଚାଳନା ଓ ବ୍ୟବହାରରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇପାରେ ବୋଲି ଆଶା କରାଯାଇପାରେ ।


 

ଓଡ଼ିଶାରେ ଆଞ୍ଚଳିକ ସମ୍ୱାଦମଞ୍ଚଗୁଡ଼ିକରେ, ମୁଖ୍ୟତଃ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକରେ ସାମ୍ୱାଦିକମାନଙ୍କ ପରିଚିତି ‘ବାଇ-ଲାଇନ’ ଆକାରରେ ପ୍ରକାଶିତ ହୁଏ ନାହିଁ । ଫଳରେ ପାଠକସମାଜରେ ସାମ୍ୱାଦିକମାନେ ପରିଚିତ ହୋଇପାରନ୍ତି ନାହିଁ । ଟେଲିଭିଜନରେ ସମ୍ୱାଦ ଉପସ୍ଥାପକ ପରିଚୟ ସୃଷ୍ଟି କରିପାରୁଥିଲେ ହେଁ ସାମ୍ୱାଦିକମାନେ କାଁ ଭାଁ ସୁଯୋଗ ପାଆନ୍ତି । ସ୍ୱାଧୀନ ସାମ୍ୱାଦିକତାର ପରିପ୍ରକାଶ ନିମନ୍ତେ ସାମାଜିକସ୍ତରରେ ସାମ୍ୱାଦିକମାନଙ୍କ ବ୍ୟକ୍ତିଗତ ପରିଚ଼ିତି ‘ବ୍ରାଣ୍ଡ’ ଗୁରୁତ୍ୱପୂର୍ଣ୍ଣ । କାରଣ ଏତଦ୍ୱାରା ପାଠକ ସଂପୃକ୍ତି ‘ରିଡ଼ର ଏଙ୍ଗେଜମେଣ୍ଟ’ ବଢ଼ିଥାଏ ଏବଂ ସମ୍ଭାବ୍ୟ ସ୍ୱାଧୀନ ସାମ୍ୱାଦିକତା ପରିପ୍ରେକ୍ଷୀରେ ଅର୍ଥନୀତିକରଣ ‘ମନିଟାଇଜେସନ’ରେ ପରିବର୍ତ୍ତିତ ହୋଇଥାଏ ।


 

ସ୍ୱାଧୀନ ସାମ୍ୱାଦିକତା କ୍ଷେତ୍ରକୁ ଲମ୍ପ ପ୍ରଦାନ କରିବା ତଥା ଗ୍ରାହକଚାନ୍ଦାରେ ବୃତ୍ତିଗତ ଜୀବିକାର୍ଜନ ପାଇଁ ମଧ୍ୟ-ବୟସ୍କ ପ୍ରତିଭାବାନ ଓଡ଼ିଆ ସାମ୍ୱାଦିକମାନଙ୍କୁ ଅନ୍ତତଃ ଦୁଇରୁ ତିନିବର୍ଷ ଲକ୍ଷ୍ୟଭିତ୍ତିକ ପୂର୍ବପ୍ରସ୍ତୁତି ଆବଶ୍ୟକ । ପାଠକ ପରିଚିତି ନିମନ୍ତେ ପରିବେଶ ସୃଷ୍ଟି, ବିଷୟଭିତ୍ତିକ ସାମ୍ୱାଦିକତା ନିମନ୍ତେ ଉପାଦାନ ‘ରିସୋର୍ସେସ’ ସଂଗ୍ରହ ଓ ସର୍ବୋପରି ସୃଜନ କ୍ଷେତ୍ରରେ ପାଠ୍ୟ ସାଙ୍ଗକୁ ଅଡ଼ିଓ ଓ ଭିଡ଼ିଓ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଦକ୍ଷତା ହାସଲ ଏକାନ୍ତ ପ୍ରୟୋଜନ । ଓଡ଼ିଶାରେ ଏକ ସଶକ୍ତ ଅନଲାଇନ ସ୍ୱାଧୀନ ସାମ୍ୱାଦିକତା ପରିବେଶ ରାଜ୍ୟରେ ସୁଶାସନ ଓ ଗଣତନ୍ତ୍ର ବିକାଶ ଦିଗରେ ବ୍ୟାପକ ଯୋଗଦାନ କରିବା ସମ୍ଭବ ।              

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଏପ୍ରିଲ ୨୦୨୧


ତଥ୍ୟ:



Best, Chris & Hamish. Mckenzil. A better future for news. July 18, 2017


 

https://on.substack.com/p/a-better-future-for-news


 

https://blog.substack.com/p/investing-in-writers


 

Brown, Campbell & Anthea Watson Strong. Supporting independent voices. March 16, 2021


 

https://www.facebook.com/formedia/supporting-independent-voices

ମିଡ଼ିଆ କାଉନସିଲ ଗଠନ ପ୍ରସ୍ତାବ

‘କମ୍ୟୁନିକେସନ ଓ ଇନଫରମେସନ ଟେକନୋଲଜି ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟୀ’ ପକ୍ଷରୁ ପ୍ରସ୍ତୁତ ‘ଏଥିକାଲ ଷ୍ଟାଣ୍ଡାର୍ଡସ ଇନ ମିଡ଼ିଆ କଭରେଜ’ ଶୀର୍ଷକ ୭୩ ପୃଷ୍ଠା ସଂବଳିତ ରିପୋର୍ଟ ୨୦୨୧ ଡ଼ିସେମ୍ୱର ପହିଲାରେ ସପ୍ତଦଶ ଲୋକସଭାରେ ଦାଖଲ କରାଯାଇଛି । ଏଥିରେ ପାରମ୍ପରିକ ଗଣମାଧ୍ୟମ ସାଙ୍ଗକୁ ସୋସିଆଲ ମିଡ଼ିଆର କାର୍ଯ୍ୟଧାରା ଅନୁଶୀଳନ କରିବା ନିମନ୍ତେ ଦେଶରେ ପ୍ରତିଷ୍ଠିତ ନିୟାମକ ଓ ପ୍ରଚଳିତ ନିୟମାବଳୀର ପୁନର୍ବିନ୍ୟାସ ନିମନ୍ତେ କେତେକ ପରାମର୍ଶ ଲିପିବଦ୍ଧ । ଏଥିସଙ୍ଗେ ପରିବର୍ତ୍ତିତ ବୈଷୟିକ ପରିବେଶ ‘ଟେକ୍ନୋଲଜିକାଲ ଟ୍ରାନସଫରମେସନ’ ଓ ଗଣମାଧ୍ୟମ ଧାରା ‘ମାସ ମିଡ଼ିଆ ଟ୍ରେଣ୍ଡ’କୁ ଭିତ୍ତିକରି ‘ମିଡ଼ିଆ କାଉନସିଲ’ ଓ ‘ମିଡ଼ିଆ କମିଶନ’ ଗଠନ ନିମନ୍ତେ ପ୍ରସ୍ତାବ ଆଗତ କରାଯାଇଛି ।


 

ଲୋକସଭାର ୨୦ ଜଣ ଓ ରାଜ୍ୟ ସଭାର ନଅ ଜଣ ସାଂସଦଙ୍କୁ ନେଇ କଂଗ୍ରେସ ସାଂସଦ ଡ଼କ୍ଟର ଶଶି ଥରୁରଙ୍କ ଆବାହକତ୍ୱରେ ୨୦୨୧ ସେପ୍ଟେମ୍ୱର ମାସରେ ଷ୍ଟାଣ୍ଡିଂ କମିଟୀ ଗଠିତ ହୋଇଥିଲା । କମିଟୀ ନିଜ ରିପୋର୍ଟରେ ପ୍ରାୟୋଜିତ ସମ୍ୱାଦ ‘ପେଡ଼ ନିଉଜ’, ଅସତ୍ୟ ସମ୍ୱାଦ ‘ଫେକ ନିଉଜ’, ବୈଦେଶିକ ନିବେଶ ‘ଏଫଡ଼ିଆଇ’ ଓ ସମ୍ୱାଦ ବିଚାରକ ‘ଆମ୍ୱୁଡ଼ସମେନ’ ଇତ୍ୟାଦି ବିଷୟରେ ମଧ୍ୟ ପରାମର୍ଶ ସ୍ଥାନିତ କରିଛନ୍ତି । ସମକାଳୀନ ଭାରତୀୟ ଗଣମାଧ୍ୟମ କ୍ରମଶଃ ବିଶ୍ୱସନୀୟତା ଓ ନୈତିକତା ହରାଇ ବସୁଥିବା ହେତୁ ଉଦବେଗ ପ୍ରକାଶ କରାଯାଇଛି । ସାମ୍ୱାଦିକତାର ଗୁଣବତ୍ତା ସୁରକ୍ଷା ନିମନ୍ତେ ଗଣମାଧ୍ୟମ ମଞ୍ଚଗୁଡ଼ିକ ପ୍ରଚଳିତ ଆଇନ କାନୁନ ତଥା ଆତ୍ମନିୟନ୍ତ୍ରିତ ଧାରା ଉପଯୋଗ କରିବା ନିମନ୍ତେ ଷ୍ଟାଣ୍ଡିଂ କମିଟୀ ବିଶ୍ୱାସ ରଖିଛନ୍ତି ।


 

ଭାରତରେ ଗଣମାଧ୍ୟମ ନିୟାମକ ହିସାବରେ ‘ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ଓ ‘ନିଉଜ ବ୍ରଡ଼କାଷ୍ଟିଂ ଷ୍ଟାଣ୍ଡାର୍ଡସ ଅଥାରିଟି’ ଦୁଇ ପ୍ରମୁଖ ପ୍ରତିଷ୍ଠାନ । ପ୍ରେସ କାଉନସିଲ ଆଇନ ଅନୁମୋଦିତ ଧାରାରେ ଗଠିତ ଓ ପରିଚାଳିତ । ସ୍ୱାଧୀନୋତ୍ତର ଅବସ୍ଥାରେ ତତ୍ କାଳୀନ ପ୍ରଭାବଶାଳୀ ମୁଦ୍ରଣ ଗଣମାଧ୍ୟମ ଅନୁଶୀଳନ ଓ ତତ୍ ସମ୍ୱନ୍ଧୀୟ ବିବାଦ ମୀମାଂସା ଏହାର ମୁଖ୍ୟ କାର୍ଯ୍ୟ ରୂପେ ନିର୍ଦ୍ଧାରିତ ହୋଇଥିଲା । ଆପତ୍ତି ଅଭିଯୋଗ ବିଚାର ଏହାର କ୍ଷମତା ପରିସରଭୁକ୍ତ ହୋଇଥିବା ସ୍ଥଳେ ଦଣ୍ଡ ବିଧାନ କ୍ଷମତା ନଥାଏ । ସାମ୍ୱାଦିକ, ସମ୍ପାଦକ, ପ୍ରକାଶକ ଓ ସମ୍ୱାଦ ସରବରାହ ସଂସ୍ଥା ଇତ୍ୟାଦିଙ୍କ ପ୍ରତି ପ୍ରେସ କାଉନସିଲର ପ୍ରତିକୂଳ ସମାଲୋଚନା ଓ ଭର୍ତ୍ସନା ‘ସେନସିଉର’କୁ ଅଣଦେଖା କରାଯାଇଥାଏ ।


 

ଷ୍ଟାଣ୍ଡିଂ କମିଟୀ ନିଜ ରିପୋର୍ଟରେ ପ୍ରେସ କାଉନସିଲ ଆଇନ ସଂଶୋଧନ କରାଯାଇ ଏହାର କାର୍ଯ୍ୟଧାରାକୁ ସଶକ୍ତ କରିବା ନିମନ୍ତେ ପ୍ରସ୍ତାବ ରଖିଛନ୍ତି । ଉଦାହରଣରେ ବାରମ୍ୱାର ଗଣମାଧ୍ୟମ ନୀତିନିୟମ ଉଲଂଘନ କରୁଥିବା ସମ୍ୱାଦପତ୍ରଗୁଡ଼ିକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆୟତ୍ତାଧୀନ ‘ବ୍ୟୁରୋ ଅଫ ଆଉଟରିଚ ଏଣ୍ଡ କମ୍ୟୁନିକେସନ୍ସ’ ପକ୍ଷରୁ ବିଜ୍ଞାପନ ପ୍ରଦାନ ବନ୍ଦ କରିବାକୁ ପ୍ରେସ କାଉନସିଲ ପକ୍ଷରୁ ସୁପାରିଶ କରାଯାଇଥାଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ଆଦେଶ ଦୀର୍ଘକାଳ ଯାଏଁ ଲାଗୁ କରାଯାଏ ନାହିଁ । ଫଳରେ ସଂପୃକ୍ତ ସମ୍ୱାଦପତ୍ର ବିରୋଧରେ ପ୍ରେସ କାଉନସିଲର ପ୍ରତିକୂଳ ଟୀପ୍ପଣି ବାସ୍ତବ କ୍ଷେତ୍ରରେ ଉପଯୋଗରେ ଅସମର୍ଥ ହୋଇପଡ଼େ । ଏହି ପରିପ୍ରେକ୍ଷୀରେ ବିଜ୍ଞାପନ ବନ୍ଦ ଆଦେଶ କାର୍ଯ୍ୟକାରୀ କରିବା ନିମନ୍ତେ ସମୟସୀମା ନିର୍ଦ୍ଧାରଣ ଆବଶ୍ୟକ ।


 

ଘରୋଇ ଟେଲିଭିଜନ ଚ୍ୟାନେଲ ଆତ୍ମ-ନିୟନ୍ତ୍ରଣ କ୍ଷେତ୍ରରେ ‘ନିଉଜ ବ୍ରଡ଼କାଷ୍ଟିଂ ଷ୍ଟାଣ୍ଡାର୍ଡ଼ସ ଅଥାରିଟି’ ଓ ‘ଇଣ୍ଡିଆନ ବ୍ରଡ଼କାଷ୍ଟିଂ ଫାଉଣ୍ଡେସନ’ର କାର୍ଯ୍ୟକାରିତା ସଂପର୍କରେ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟୀ ସନ୍ତୋଷ ପ୍ରକାଶ କରିଛନ୍ତି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦୁଇ ନିୟାମକଠାରେ ୧୪୧ ଗୋଟି ମାମଲା ରୁଜୁ କରାଯାଇଥିବା ସ୍ଥଳେ ୨୨ ଗୋଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଉଦାହରଣ କମିଟୀକୁ ପ୍ରଭାବିତ କରିଥିଲା । ତେବେ ‘ନିଉଜ ବ୍ରଡ଼କାଷ୍ଟିଂ ଷ୍ଟାଣ୍ଡାର୍ଡ ଅଥାରିଟି’ କେବଳ ଏହି ସଂଗଠନରେ ସଦସ୍ୟଭୁକ୍ତ ଚ୍ୟାନେଲ ଗୁଡ଼ିକର କାର୍ଯ୍ୟ ପରିସର ସାମିଲ କରିଥାଏ । କମିଟୀ ସରକାରଙ୍କୁ ସମସ୍ତ ଘରୋଇ ଚ୍ୟାନେଲକୁ ଆତ୍ମ-ନିୟନ୍ତ୍ରଣ ପରିବେଶରେ ଅନ୍ତର୍ଭୁକ୍ତ ତଥା କାର୍ଯ୍ୟଧାରାକୁ ସୁସଂହତ କରାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।


 

କମିଟୀ ପକ୍ଷରୁ ଫେବୃୟାରୀ ମାସରେ ପ୍ରଣୀତ ‘ଇନଫରମେସନ ଟେକନୋଲଜି (ଗାଇଡ଼ ଲାଇନ୍ସ ଫର ଇଣ୍ଟରମିଡ଼ିଏଟରିଜ ଏଣ୍ଡ ଡିଜିଟାଲ ମିଡ଼ିଆ ଏଥିକାଲ କୋଡ଼) ରୁଲସ ୨୦୨୧’କୁ ସମର୍ଥନ ଜଣାଇଛନ୍ତି । ଡିଜିଟାଲ ମିଡିଆ ନିୟନ୍ତ୍ରଣରେ ଏହି ନିୟମାବଳୀ ଫଳପ୍ରଦ ହେବ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି । ଅପରପକ୍ଷେ ‘କେବଲ ଟେଲିଭିଜନ ନେଟୱାର୍କ (ରେଗୁଲେସନ) ଆକ୍ଟ ୧୯୯୫’ ପ୍ରଣୟନର ୨୫ ବର୍ଷ ପୂର୍ତ୍ତୀ ହୋଇଥିବା ହେତୁ ସମସାମୟିକ ପରିବେଶକୁ ଖାପ ଖାଉନଥିବା ଦର୍ଶାଇ ଆବଶ୍ୟକୀୟ ପରିବର୍ତ୍ତନ ଆବଶ୍ୟକ ବୋଲି ଦର୍ଶାଇଛନ୍ତି ।


 

ରିପୋର୍ଟରେ କୁହାଯାଇଛି ଯେ ଅସତ୍ୟ ସମ୍ୱାଦ ‘ଫେକ ନିଉଜ’ ପ୍ରସାର ରୋକିବା ନିମନ୍ତେ ଇଣ୍ଡିଆନ ପେନେଲ କୋଡ଼ର ଧାରା ୧୮୬, ଇନଫରମେସନ ଟେକନୋଲଜି ଆକ୍ଟ ୨୦୦୦ ଏବଂ ଇନଫେରମେସନ ଟେକନୋଲଜି (ଇଣ୍ଟମିଡ଼ିଏଟରିସ ଗାଇଡ଼ଲାଇନ୍ସ) ରୁଲ ୨୦୧୧ରେ ପ୍ରାବଧାନ ରହିଛି । ଆଷ୍ଟ୍ରେଲିଆ ଓ ମାଲେସିଆ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ସ୍ୱତନ୍ତ୍ର ଆଇନମାନ ମଧ୍ୟ ପ୍ରଣୟନ କରାଯାଇଛି । ସରକାର ଏସବୁର ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବା ସମୟ ଉପନୀତ । ‘ପ୍ରେସ ଇନଫରମେସନ ବ୍ୟୁରୋ’ ଆନୁକୂଲ୍ୟରେ ଦେଶରେ ୧୭ ଗୋଟି ଫେକ୍ଟ-ଚେକ ୟୁନିଟର କାର୍ଯ୍ୟଧାରାକୁ ସ୍ୱାଗତ ଜଣାଇ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଭଳି ଆଧୁନିକ ବୈଷୟିକ କୌଶଳ ଉପଯୋଗ କରି ଅସତ୍ୟ ସମ୍ୱାଦ ଚ଼ିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆବଶ୍ୟକ ବୋଲି ମତ ଧାର୍ଯ୍ୟ କରିଛନ୍ତି ।


 

ପ୍ରାୟୋଜିତ ସମ୍ୱାଦ ‘ପେଡ଼ ନିଉଜ’ ଧାରା ପ୍ରତି କମିଟୀ ଉଦବେଗ ପ୍ରକାଶ କରିଛନ୍ତି । ବିଶେଷତଃ ନିର୍ବାଚନ ଅବସରରେ ପ୍ରାର୍ଥୀମାନଙ୍କ ଏଦିଗରେ ଖର୍ଚ୍ଚକୁ ରୋକିବା ନିମନ୍ତେ ଆଇନଗତ ପ୍ରତିବନ୍ଧକ ସୃଷ୍ଟି ସପକ୍ଷରେ ମତ ରଖିଛନ୍ତି । ପ୍ରେସ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଗଠିତ ଏକ ସବକମିଟି ୨୦୧୦ରେ ପେଡ଼ ନିଉଜ ବିରୋଧରେ ‘ରିପ୍ରେଜେଣ୍ଟସନ ଅଫ ପିଉପଲ୍ସ ଏକ୍ଟ ୧୯୫୧’ରେ ସଂଶୋଧନ ଆଣିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ‘ଲ କମିସନ’ ଏହାକୁ ୨୦୧୫ରେ ପ୍ରକାଶିତ ‘ଇଲେକ୍ଟ୍ରାଲ ରିଫର୍ମସ’ ରିପୋର୍ଟରେ ସମର୍ଥନ ଜଣାଇଥିଲେ । ଲ ଏଣ୍ଡ ଜଷ୍ଟିସ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ସବକମିଟୀ ମଧ୍ୟ ୨୦୧୬ରେ ସଂଶୋଧନ ପ୍ରକ୍ରିୟା ‘ରୋଡ଼ ମେପ’ ଚ଼ିହ୍ନଟ କରିସାରିଛନ୍ତି । ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ କମିଟୀ ମତ ରଖିଛନ୍ତି ।


 

ଗଣମାଧ୍ୟମ ମଞ୍ଚଗୁଡ଼ିକରେ ପ୍ରକାଶନ ସଂପର୍କରେ ଅଭିଯୋଗ ମୀମାଂସା ନିମନ୍ତେ ପ୍ରତ୍ୟେକ ମଞ୍ଚ ପକ୍ଷରୁ ବିଚାରକ ‘ଆମ୍ୱୁଡ଼ସମେନ’ ବ୍ୟବସ୍ଥା ପ୍ରଚଳନ ତଥା ସରକାରୀସ୍ତରରେ ଜିଲ୍ଲା, ରାଜ୍ୟ ଓ କେନ୍ଦ୍ରୀୟସ୍ତରରେ ଭିତ୍ତିଭୂମି ପ୍ରସ୍ତୁତି ନିମନ୍ତେ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟୀ ଗୁରୁତ୍ୱ ଆରୋପ କରିଛନ୍ତି । ଜନସାଧାରଣଙ୍କ ଅଭିଯୋଗ ସମାଧାନ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ୱନ କରିବା ନିମନ୍ତେ ଏକ ଜାତୀୟ ହେଲପ ଲାଇନ ଟେଲିଫୋନ ନମ୍ୱର ଜାରୀ କରିବା ନିମନ୍ତେ ମଧ୍ୟ ପ୍ରସ୍ତାବ ରଖିଛନ୍ତି ।


 

ଆଇନାନୁମୋଦିତ ‘ପ୍ରେସ କାଉନସିଲ ଅଫ ଇଣ୍ଡିଆ’ର କାର୍ଯ୍ୟ ପରିସର କେବଳ ମୁଦ୍ରଣ ଗଣମାଧ୍ୟମରେ ସୀମିତ ଥିବା ହେତୁ ରେଡ଼ିଓ, ଟେଲିଭିଜନ ଓ ଅନଲାଇନ ଡିଜିଟାଲ ଗଣମାଧ୍ୟମ କାର୍ଯ୍ୟଧାରା ଅନୁଶୀଳନ ନିମନ୍ତେ ‘ମିଡ଼ିଆ କାଉନସିଲ’ ଗଠନ ଏବଂ କ୍ରମବିକଶିତ ଗଣମାଧ୍ୟମ ପରିବେଶ ଅନୁଧ୍ୟାନ କରି ସମ୍ଭାବ୍ୟ ନିୟନ୍ତ୍ରଣ ଧାରା ନିର୍ଣ୍ଣୟ ନିମନ୍ତେ ‘ମିଡ଼ିଆ କମିସନ’ ଗଠନ ଲାଗି ସପ୍ତଦଶ ଲୋକସଭାରେ ଉପସ୍ଥାପିତ ଆଲୋଚ୍ୟ ସପ୍ତବିଂଶ ବିବରଣୀରେ ପରାମର୍ଶ ପ୍ରଦାନ କରାଯାଇଛି ।               

        

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୦ ଡ଼ିସେମ୍ୱର ୨୦୨୧


ତଥ୍ୟ:



MIB asked to restructure PCI, establishing media council covering all mediums


 

https://www.exchange4media.com/media-tv-news/it-committee-tells-mib-to-restructure-pci-establish-media-council-covering-all-mediums-117152.html


 

Lok Sabha Secretariat / Press Release / Dec 01, 2021


 

http://loksabhaph.nic.in/Committee/CommitteeInformation.aspx?comm_code=18&tab=1