ମୋବାଇଲ

ମୋବାଇଲ ଫୋନର ବ୍ୟାପ୍ତି

ଭାରତରେ ୨୦୧୯ ମାର୍ଚ୍ଚ ସୁଦ୍ଧା ୧୧୬ କୋଟି ମୋବାଇଲ ଫୋନ ସିମ ବ୍ୟବହୃତ ହେଉଥିବା ‘ଟେଲକମ ରେଗୁଲେଟରି ଅଫ ଇଣ୍ଡିଆ’ ଦ୍ୱାରା ପ୍ରକାଶିତ ପରିସଂଖ୍ୟାନରୁ ଜଣାଯାଏ । ଏଥି ମଧ୍ୟରେ ଓଡ଼ିଶାରେ ମୋବାଇଲ ଫୋନ ସିମ ସଂଯୋଗ ୩ କୋଟି ୨୬ ଲକ୍ଷ ଅନ୍ତର୍ଭୁକ୍ତ ।


 

ଆମ ଦେଶରେ ରିଲାଏନ୍ସ ଜିଓ, ଭାରତୀ-ଏୟାରଟେଲ, ଭୋଡ଼ାଫୋନ-ଆଇଡ଼ିଆ, ଭାରତ ସଞ୍ଚାର ନିଗମ ତଥା ମହାନଗର ସଞ୍ଚାର ନିଗମ ଏବଂ ଟାଟା ଟେଲିସର୍ଭିସେସ ପାଞ୍ଚଗୋଟି ୱାଇରଲେସ ବ୍ରଡ଼ବ୍ୟାଣ୍ଡ ସର୍ଭିସ ପ୍ରୋଭାଇଡ଼ର କାର୍ଯ୍ୟରତ । ଏମାନଙ୍କ ମଧ୍ୟରୁ ଭାରତୀ-ଏୟାରଟେଲ ଓ ଭୋଡ଼ାଫୋନ-ଆଇଡ଼ିଆ ପକ୍ଷରୁ ୨୦୧୮ ଅକ୍ଟୋବର ମାସରୁ ନିଷ୍କ୍ରିୟ ଉପଭୋକ୍ତାମାନଙ୍କୁ ନିରୁତ୍ସାହିତ କରିବାଲାଗି ଉଦ୍ୟମ ଆରମ୍ଭ ହୋଇଥିଲା ।


 

ମୋବାଇଲ ଫୋନଗୁଡ଼ିକରେ ଦୁଇଗୋଟି ସିମ କାର୍ଡ ବ୍ୟବହାରରେ ଦୁଇଗୋଟି ଭିନ୍ନ ସର୍ଭିସ ପ୍ରୋଭାଇଡ଼ରଙ୍କ ସେବା ଗ୍ରହଣ କରିବା ସୁବିଧା ହେତୁ ଅନେକ ଉପଭୋକ୍ତା ଗୋଟିଏ ସିମ କେବଳ ଇନ-କମିଙ୍ଗ କଲ ନିମନ୍ତେ ଉଦ୍ଦିଷ୍ଟ ରଖୁଥିବା ଦେଖାଯାଏ । ଗ୍ରାହକମାନେ ସାଧାରଣତଃ ମାଗଣା କଲ ଯୋଗାଉଥିବା ନେଟୱାର୍କ ତଥା ଆପ ବ୍ୟବହାରରେ ଅଭ୍ୟସ୍ତ ହୋଇପଡୁଛନ୍ତି । ଫଳରେ ନିଷ୍କ୍ରିୟ ରହୁଥିବା ସିମର ସର୍ଭିସ ପ୍ରୋଭାଇଡ଼ର ବ୍ୟାବସାୟିକସ୍ତରରେ ଆବଶ୍ୟକୀୟ ଆୟ ସଂଗ୍ରହ କରିପାରୁ ନଥିବା ସ୍ଥଳେ ସଂଖ୍ୟାଧିକ ସିମ ବ୍ୟବହାର ହେତୁ ନେଟୱାର୍କ ଜାମର ଶୀକାର ହୋଇଥାଏ ।


 

ଏଭଳି ଅସୁବିଧାକୁ ଏଡ଼ାଇବା ନିମନ୍ତେ ଭାରତୀ-ଏୟାରଟେଲ ଓ ଭୋଡ଼ାଫୋନ-ଆଇଡ଼ିଆ ପକ୍ଷରୁ ସିମ ବ୍ୟବହାର ପାଇଁ ସର୍ବନିମ୍ନ ଦେୟ ବଢ଼ାଇବା ଫଳରେ ଦୁଇଗୋଟି ସିମ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ମଧ୍ୟରୁ ଏକାଂଶ ନେଟୱାର୍କ ପରିତ୍ୟାଗ କରିଥିଲେ । ଫଳରେ ଉପଭୋକ୍ତାଙ୍କ ସଂଖ୍ୟା କମି ଆସିଥିବା ଲକ୍ଷ୍ୟ କରାଯାଇଥିଲା ।


 

ହିସାବ ଅନୁଯାୟୀ ମୋଟ ମୋବାଇଲ ଫୋନ ଉପଭୋକ୍ତା ସଂଖ୍ୟା ୨୦୧୯ ଫେବୃୟାରୀ ମାସରେ ୧୧୮ କୋଟି ଥିବା ସ୍ଥଳେ ମାର୍ଚ୍ଚ ମାସରେ ୧୧୬ କୋଟିକୁ ଖସି ଆସିଛି । ପ୍ରାୟ ଦୁଇ କୋଟି କୋଡ଼ିଏ ଲକ୍ଷ ଉପଭୋକ୍ତା ସିମ କାର୍ଡକୁ ଦେୟ ଦାଖଲ କରି ଏକ୍ଟିଭ କରିନଥିଲେ । ଏଥି ମଧ୍ୟରେ ଭାରତୀ-ଏୟାରଟେଲର ଏକ କୋଟି ୫୧ ଲକ୍ଷ ଓ ଭୋଡ଼ାଫୋନ-ଆଇଡ଼ିଆର ଏକ କୋଟି ୪୫ ଲକ୍ଷ ଉପଭୋକ୍ତା ଅନ୍ତର୍ଭୁକ୍ତ ।


 

ଏଥିପୂର୍ବରୁ ୨୦୧୭ ଡ଼ିସେମ୍ୱରରେ ଅନୀଲ ଆମ୍ୱାନୀ ପରିଚ଼ାଳିତ ରିଲାଏନ୍ସ କମ୍ୟୁନିକେସନ୍ସ ପକ୍ଷରୁ ବ୍ୟବସାୟ ବନ୍ଦ ଫଳରେ ଏକ କୋଟି ୫୫ ଲକ୍ଷ ଉପଭୋକ୍ତା ବାଧ୍ୟବାଧକତାରେ ସିମ ବନ୍ଦ କିମ୍ୱା ଅନ୍ୟ ନେଟୱାର୍କକୁ ସିମ ବଦଳ କରିଥିଲେ । ସେହିପରି ଏୟାରସେଲ ସଂସ୍ଥା ଦେବାଳିଆ ଘୋଷଣା ପରେ ସାତକୋଟି ୪୦ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ ।


 

ଓଡ଼ିଶା ୨୦୧୯ ମାର୍ଚ୍ଚ ମାସର ସର୍ବଭାରତୀୟ ମୋବାଇଲ ଗ୍ରାହକ ଅପସାରଣ ପ୍ରକ୍ରିୟାରେ ୮ ଲକ୍ଷ ୨୮ ହଜାର ଉପଭୋକ୍ତା ହରାଇଥିବା ହିସାବରୁ ଜଣାଯାଏ । ଏଥି ମଧ୍ୟରେ ଭାରତୀ ଏୟାରଟେଲର ୫ ଲକ୍ଷ ୩୫ ହଜାର ୮୧୮ ଜଣ ଓ ଭୋଡ଼ାଫୋନ-ଆଇଡ଼ିଆର ୨ ଲକ୍ଷ ୯୬ ହଜାର ୬୬୧ ଜଣ ଗ୍ରାହକ ଅନ୍ତର୍ଭୁକ୍ତ ।


 

ଟେଲିଯୋଗାଯୋଗ ବିଶାରଦମାନେ ନିଷ୍କ୍ରିୟ ସିମଗୁଡ଼ିକୁ ସେବାମୁକ୍ତ କରିବା ପ୍ରକ୍ରିୟା ଦ୍ୱାରା ବ୍ୟାବସାୟିକଭାବେ  ସଂପୃକ୍ତ କମ୍ପାନୀଗୁଡ଼ିକ ଲାଭବାନ ହେବେ ବୋଲି ବିଚ଼ାର କରିଥାନ୍ତି । ଗ୍ରାହକ ପିଚ୍ଛା ରିଚ଼ାର୍ଜ ଦେୟ କିପରି ବୃଦ୍ଧି ପାଇବ ଟେଲିଯୋଗାଯୋଗ କମ୍ପାନୀମାନେ ସେହି ଦିଗରେ ତତ୍ପରତା ପ୍ରକାଶ କରୁଛନ୍ତି । ରିଲାଏନ୍ସ ଜିଓ ପକ୍ଷରୁ ସୀମିତ ଖର୍ଚ୍ଚରେ ଅସୀମିତ ଭଏସ କଲ ଓ ପର୍ଯ୍ୟାପ୍ତ ଏସଏମଏସ ସାଙ୍ଗକୁ ଟେଲିଭିଜନ, ସିନେମା ପ୍ରଦର୍ଶନ ପତ୍ରପତ୍ରିକା ପାଠ ଭଳି ସୁବିଧା ସୁଯୋଗ ଅନ୍ୟାନ୍ୟ ନେଟୱାର୍କ ତୁଳନାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସର୍ବଭାରତୀୟସ୍ତରରେ ରିଲାଏନ୍ସ ଜିଓର ମୋଟ ଉପଭୋକ୍ତା ସଂଖ୍ୟା ୩୦ କୋଟି ୬୭ ଲକ୍ଷରେ ପହଞ୍ଚିଲାଣି । ୨୦୧୯ ମାର୍ଚ୍ଚ ମାସରେ ଭାରତୀ-ଏୟାରଟେଲ ଓ ଭୋଡ଼ାଫୋନ-ଆଇଡ଼ିଆର ଉପଭୋକ୍ତା ସଂଖ୍ୟା କମିଥିବା ସ୍ଥଳେ ମୁକେଶ ଆମ୍ୱାନୀ ପରିଚ଼ାଳିତ ରିଲାଏନ୍ସ ଜିଓ ମଞ୍ଚରେ ୯୪ ଲକ୍ଷ ୯୦ ହଜାର ନୂତନ ଗ୍ରାହକ ଯୋଗ ଦେଇଛନ୍ତି ।


 

ଓଡ଼ିଶାରେ ମୋବାଇଲ ଫୋନ ସେବା କ୍ଷେତ୍ରରେ ବିଏସଏନଏଲର ଆଦର ମୂଳରୁ ରହି ଆସିଛି । ସର୍ବଭାରତୀୟସ୍ତରରେ ମୋଟ ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରେ ମାତ୍ର ୧୦.୨୬ ପ୍ରତିଶତ ବିଏସଏନଏଲ ଓ ଓମଟିଏନଟିଏଲର ଗ୍ରାହକ । ଏହି ସଂଖ୍ୟା ୧୨ କୋଟି ୯ ଲକ୍ଷରେ ସୀମିତ । ବିଏସଏନଏଲର ଆସାମରେ ଗ୍ରାହକ ସଂଖ୍ୟାରେ ବୃଦ୍ଧି ସ୍ଥଳେ ବିହାରରେ ସର୍ବାଧିକ ଗ୍ରାହକ ହ୍ରାସ ୨୦୧୯ ମାର୍ଚ୍ଚ ମାସରେ ହିସାବ କରାଯାଇଛି ।


 

ଭାରତରେ ମୋବାଇଲ ଫୋନ ମଧ୍ୟରେ ସ୍ମାର୍ଟ ଫୋନ ବ୍ୟବହାର ଆନ୍ତର୍ଜାତିକସ୍ତରରେ କମ ରହିଛି । ଯୁକ୍ତରାଷ୍ଟ୍ର ଆମେରିକାର ପିଉ ଗବେଷଣା ସଂସ୍ଥା ପକ୍ଷରୁ ୨୦୧୮ ମେ’ମାସରୁ ଅଗଷ୍ଟ ମାସ ମଧ୍ୟରେ ଭାରତ ସମେତ ୨୭ ଗୋଟି ରାଷ୍ଟ୍ରରେ ପ୍ରାୟ ୩୦ ହଜାର ନାଗରିକଙ୍କ ମଧ୍ୟରେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ସେଥିରୁ ଜଣାଯାଇଥିଲା ଯେ ଦେଶର ୬୪ ପ୍ରତିଶତ ନାଗରିକ ମୋବାଇଲ ଫୋନ ଉପଭୋକ୍ତା ଥିବା ସ୍ଥଳେ ୨୪ ପ୍ରତିଶତ ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି । ବ୍ରାଜିଲ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଫିଲିପାଇନ୍ସ ଇଣ୍ଡୋନେସିଆ, କେନିଆ ଓ ନାଇଜେରିଆ ଭଳି ରାଷ୍ଟ୍ର ତୁଳନାରେ ଭାରତରେ ସ୍ମାର୍ଟଫୋନ ଉପଭୋକ୍ତାଙ୍କ ସଂଖ୍ୟା କମ ।


 

ଆମ ଦେଶରେ ପ୍ରତି ଚ଼ାରିଜଣଙ୍କ ମଧ୍ୟରେ ଜଣେ ସ୍ମାର୍ଟଫୋନ ବ୍ୟବହାର କରୁଥିବାସ୍ଥଳେ ମହିଳା ଓ ଅଳ୍ପଶିକ୍ଷିତଙ୍କ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାର କମ । ଏଠାରେ ସୋସିଆଲ ମିଡ଼ିଆର ବ୍ୟବହାର କମ ଏବଂ ଫେସବୁକ, ଟୁଇଟର, ଇନଷ୍ଟ୍ରାଗ୍ରାମ ଓ ହ୍ୱାଟସଆପ ଭଳି ମଞ୍ଚ ଲୋକପ୍ରିୟ ।


 

ସେଲ୍ୟୁଲାର ଟେକନୋଲଜିର ପଞ୍ଚମ ପୀଢ଼ି ୫ଜି ୨୦୧୯ ସେପ୍ଟେମ୍ୱର ମଧ୍ୟଭାଗ ସୁଦ୍ଧା ପରୀକ୍ଷାମୂଳକଭାବେ ଭାରତରେ ବ୍ୟବହାର କରାଯିବା ସ୍ଥିରୀକୃତ ହୋଇଥିଲା । ଏହି କାରିଗରୀକୌଶଳ ମୁଖ୍ୟତଃ ଚ଼ାରିଗୋଟି ଦିଗରୁ ୩ଜି ଓ ୪ଜି ତୁଳନାରେ ଉନ୍ନତ । ପ୍ରଥମତଃ ଏଥିରେ ଇଣ୍ଟରନେଟ ବେଗ ଉଭୟ ଅପଲୋଡ଼ ଓ ଡ଼ାଉନଲୋଡ଼ସ୍ତରରେବୃଦ୍ଧିପ୍ରାପ୍ତ ହେବ । ପ୍ରଚଳିତ ୪୫ ଏମବିପିଏସରୁ ଏକ ଜିବିପିଏସ ଅର୍ଥାତ ଶହେଗୁଣ ବେଗ ବଢ଼ିବ । ଦ୍ୱିତୀୟତଃ ଇଣ୍ଟରନେଟ ନେଟୱାର୍କ ବ୍ୟବହାର ବେଳେ ଦେଖାଯାଉଥିବା ସମୟର ତାରତମ୍ୟ ‘ଲେଟେନ୍ସି’ କମିଯିବ । ପ୍ରାୟତଃ ବଫରିଙ୍ଗ ଉଭେଇଯିବ । ଆଦେଶ ଦେବା ମାତ୍ରେ କାର୍ଯ୍ୟ ସଂଭବପର ହୋଇପାରିବ । ତୃତୀୟତଃ ୫ଜିରେ କମ ଶକ୍ତି ଖର୍ଚ୍ଚ ହେବ । ତେଣୁ ଉପକରଣଗୁଡ଼ିକ ଦୀର୍ଘ ସମୟଧରି ବ୍ୟବହାରର କ୍ଷମତା ହାସଲ କରିବ । ଚ଼ତୁର୍ଥତଃ ନେଟୱାର୍କରେ ଦେଖାଦେଉଥିବା ଅସ୍ଥିରତା ଯଥା:ଭିଡ଼, ଦୁର୍ବଳ ସଂଯୋଗ ଇତ୍ୟାଦି ଲୋପ ପାଇବ ।


 

ଏହି ନୂତନ କାରିଗରୀ କୌଶଳ ବ୍ୟବହାର କରିବା ନିମନ୍ତେ ମୋବାଇଲ ଫୋନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଦେଶବ୍ୟାପୀ ନିଜର ଭିତ୍ତିଭୂମି ୫ଜି ଉପଯୋଗୀ ଯନ୍ତ୍ରପାତି ସ୍ଥାପନ କରିବା ସଙ୍ଗେ ଉପଭୋକ୍ତାମାନେ ନିଜର ମୋବାଇଲ ସିମ ଓ ଫୋନ ମଧ୍ୟ ବଦଳାଇବା ଆବଶ୍ୟକ । ଏହି କାରଣରୁ ଭାରତରେ ୫ଜି ଟେଲିଯୋଗାଯୋଗ ସେବା ଆରମ୍ଭ ହେବା ଦୁଇତିନି ବର୍ଷ ପରେ ହିଁ କ୍ରମଶଃ ଦେଶବ୍ୟାପୀ ଉପଲବ୍ଧ ହେବ ଏବଂ ଜନସାଧାରଣରେ ବ୍ୟବହାରଯୋଗ୍ୟ ହେବା ନିଶ୍ଚିତ । ଏହି ପରିପ୍ରେକ୍ଷୀରେ ସମସ୍ତ ମୋବାଇଲ ଫୋନ ଉପଭୋକ୍ତା ପ୍ରଥମେ ୪ଜି ଏଲଟିଇ ସେବା ଅନ୍ତର୍ଭୁକ୍ତ ହେବା ପରେ ୫ଜି ବ୍ୟବହାର ପାଇଁ ପ୍ରସ୍ତୁତ ହେବେ ବୋଲି ବିଶେଷଜ୍ଞମାନେ ଆଶା କରିଥାନ୍ତି । ଆମ ଦେଶରେ ସମସୁଙ୍ଗ, ୱାନ-ପ୍ଳସ, ଜିଓମି ଓ ମୋଟରଲା ଭଳି ଫୋନସେଟ ନିର୍ମାତାମାନେ ୫ଜି ବ୍ୟବହାରଯୋଗ୍ୟ ହେଣ୍ଡସେଟ ୨୦୨୦ ସୁଦ୍ଧା ବଜାରକୁ ଛାଡ଼ିବେ ବୋଲି ଘୋଷଣା କରିସାରିଲେଣି ।


 

ଭାରତରେ ମୋବାଇଲ ଫୋନ ବ୍ୟବହାର ସାମାଜିକସ୍ତରରେ ପ୍ରଭାବ ବିସ୍ତାର କରିସାରିଥିବା ସ୍ଥଳେ ଏହାର ସମ୍ଭାବ୍ୟ ବ୍ୟାପ୍ତି ଓ ନୂତନ କାରିଗରୀକୌଶଳ ଉପଯୋଗ ପୁଣି ଏକ ନୂତନ ସମୀକରଣ କରିବା ସୁନିଶ୍ଚିତ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୧ ଜୁନ ୨୦୧୯


ତଥ୍ୟ:



Manchanda, Megha & Sohini Das. Mobile user base dips 22 million. Business Standard (Bhubaneswar Edition). May 22, 2019


 

Drop of 8 lakh mobile users in Odisha. The Sambad (Berhampur Edition). May 25, 2019


 

Krishnan, Varun B. 24% of Indians have a smart phone, says Pew study. The Hindu 



< https://www.thehindu.com/news/national/24-pc-of-indians-have-a-smartphone/article26212864.ece>


 

Ganjoo. Shweta. 5G phones are coming in 2019, but what is 5G and why you should or should not care about it. India Today.



<https://www.indiatoday.in/technology/features/story/what-is-5g-and-why-you-should-or-should-not-care-about-it-1409600-2018-12-14>

ଶହେ କୋଟି ସ୍ମାର୍ଟଫୋନ

ଭାରତରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ଇଣ୍ଟରନେଟ ଓ ସ୍ମାର୍ଟଫୋନ ବ୍ୟବହାର କ୍ରମୋନ୍ନତି ତୃତୀୟ ଦଶକ ପ୍ରଥମାର୍ଦ୍ଧରେ ପ୍ରଖର ହେବା ତଥ୍ୟାଭିଜ୍ଞମାନେ ଆକଳନ କରିଆସିଛନ୍ତି । କୁହାଯାଉଛି ମହାମାରୀରେ ଦୂରାବସ୍ଥାନ ନୀତି ଭର୍ଚୁଆଲ ସଂସ୍କୃତିକୁ ସୁଦୃଢ କରିବା ସହ ପରିବର୍ତ୍ତନର ଅବଧି ହ୍ରାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଫେବୃୟାରୀ ୨୦୨୨ରେ ପ୍ରକାଶିତ ‘ଇନ-ମୋବି ମୋବାଇଲ ମାର୍କେଟିଂ ହେଣ୍ଡବୁକ’ରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୮୧ କୋଟି ହିସାବ କରାଯାଇଛି ।


 

ବିଶ୍ୱରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରୁ ୧୭ ପ୍ରତିଶତ ଭାରତୀୟ । ଦେଶରେ ୨୦୨୧ରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୧୧.୫ ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ଗ୍ରାମାଞ୍ଚଳରେ ୩୨ ପ୍ରତିଶତ ଇଣ୍ଟରନେଟ ସଂଯୁକ୍ତ ହୋଇପାରିଛନ୍ତି । ଠିକ ସେହି ସମୟରେ ବାଣିଜ୍ୟ ବ୍ୟବସାୟ ଗବେଷଣା ପ୍ରତିଷ୍ଠାନ ‘ଡ଼ିଲୋଟେ’ ପ୍ରକାଶିତ ବିବରଣୀରେ ଭାରତରେ ୨୦୨୧ରେ ଶହେ କୋଡ଼ିଏ କୋଟି ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରେ ୭୫ କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ ଅନ୍ତର୍ଭୁକ୍ତ ଥିବା ପ୍ରକାଶ ପାଇଥିଲା । ପରବର୍ତ୍ତୀ ପାଞ୍ଚ ବର୍ଷ, ଅର୍ଥାତ ୨୦୨୬ ସୁଦ୍ଧା ଦେଶରେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ଶହେ କୋଟିରେ ପହଞ୍ଚିବ ।


 

‘ଡିଲୋଟେ’ର ‘୨୦୨୨ ଗ୍ଳୋବାଲ ଟିଏମଟି (ଟେକନୋଲଜି, ମିଡ଼ିଆ ଏଣ୍ଡ ଏଣ୍ଟରନେଟମେଣ୍ଟ, ଟେଲକମ)’ ରିପୋର୍ଟରେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ୨୦୨୧ରୁ ୨୬ ମଧ୍ୟରେ ବ୍ୟାପକ ବୃଦ୍ଧି ଆକଳନ କରାଯାଇଛି । ସହରାଞ୍ଚଳରେ ସ୍ମାର୍ଟଫୋନ ବ୍ୟବହାର ଅଭିବୃଦ୍ଧି ୨.୫ ପ୍ରତିଶତ ରହିବା ସ୍ଥଳେ ଗ୍ରାମାଞ୍ଚଳରେ ୬ ପ୍ରତିଶତ ଛୁଇଁବ । ଭାରତରେ ସ୍ମାର୍ଟଫୋନ ନିର୍ମାଣ ବୃଦ୍ଧି ପାଇଚାଲିଛି ଏବଂ ୨୦୨୬ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିବ ।


 

ଏହି ସମୟସୀମାରେ ଟେଲକମ କ୍ଷେତ୍ରରେ ୫ଜି ବୈଷୟିକ କୌଶଳ ପ୍ରଚଳନ ଯୋଗାଯୋଗ ପରିବେଶକୁ ପରବର୍ତ୍ତୀ ପର୍ଯ୍ୟାୟ ‘ନେକ୍ସଟ ଫେଜ’କୁ ଉନ୍ନୀତ କରିବ । ଫିନଲ୍ୟାଣ୍ଡର ମୋବାଇଲ ନିର୍ମାତା ‘ନୋକିଆ’ ପକ୍ଷରୁ ପ୍ରକାଶିତ ବିବରଣୀରେ ୨୦୨୫-୨୬ ସୁଦ୍ଧା ଭାରତରେ ୩୫ ରୁ ୪୦ କୋଟି ସ୍ମାର୍ଟଫୋନ ଉପଭୋକ୍ତା ୫ଜି ନେଟୱାର୍କରେ ସାମିଲ ହେବା ଆକଳନ କରାଯାଇଛି । ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜୁନ-ଜୁଲାଇ ୨୦୨୨ରେ ୫ଜି ସ୍ପେକ୍ଟ୍ରମ ନିଲାମ ଓ ଆବଣ୍ଟନ ସରିଲେ ୨୦୨୨ ଦ୍ୱିତୀୟାର୍ଦ୍ଧରୁ ୫ଜି ସେବା ଅନ୍ତତଃପକ୍ଷେ ଶହେଗୋଟି ସହରରେ ଆରମ୍ଭ ହେବ । କ୍ରମଶଃ ୨୦୨୩ରୁ ୨୦୨୫ ମଧ୍ୟରେ ଦେଶବ୍ୟାପୀ ଉପଲବ୍ଧ ହେବା ସମ୍ଭବ ।


 

ଭାରତରେ ୫ଜି ପ୍ରଚଳନ କାଳରେ ସ୍ୱତନ୍ତ୍ର ରାଷ୍ଟ୍ରଭିତ୍ତିକ ଟେକନୋଲଜି ‘୫ଜି-ଆଇ’ ବ୍ୟବହାର ନିମନ୍ତେ ପ୍ରସ୍ତାବ ରହିଥିଲା । ତେବେ ସ୍ୱତନ୍ତ୍ର ଟେକନୋଲଜି ଯୋଗୁଁ ଆନ୍ତର୍ଜାତିକସ୍ତରରେ ବ୍ୟବହୃତ ଟେକନୋଲଜିରୁ ଦୂରେଇ ରହିବା ବିପଦ ଟାଳିବା ନିମନ୍ତେ ଏହି ନୀତିକୁ ପ୍ରତ୍ୟାହାର କରିନିଆଯାଇଛି । ଏକ ପକ୍ଷରେ କେବଳ ଭାରତ ନିମନ୍ତେ ସ୍ୱତନ୍ତ୍ର ବୈଷୟିକ କୌଶଳ ଉପଯୋଗ ହେଲେ ଏଠାକାର ଉପଭୋକ୍ତାମାନେ ବିଦେଶ ଯାତ୍ରା ଅବସରରେ ନିଜ ସ୍ମାର୍ଟଫୋନରେ ରୋମିଂ ସୁବିଧା ଉପଭୋଗ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେବା ସ୍ଥଳେ କେବଳ ଭାରତରେ ଉପଭୋକ୍ତାଙ୍କ ନିମନ୍ତେ ସ୍ମାର୍ଟଫୋନ ନିର୍ମାଣରେ ସ୍ୱତନ୍ତ୍ର ଚ଼ିପ ଆବଶ୍ୟକ ପଡ଼ିଲେ ଖର୍ଚ୍ଚ ବହୁଳ ହୋଇପଡ଼ିବ । ସେହିପରି ଆନ୍ତର୍ଜାତିକ ମାନଦଣ୍ଡରୁ ଦୂରେଇ ରହିଲେ ଭାରତରେ ସ୍ମାର୍ଟଫୋନ ନିର୍ମାଣ ଓ ରପ୍ତାନୀ ମଧ୍ୟ ବାଧା ପାଇବ ।


 

କେନ୍ଦ୍ର ସରକାରଙ୍କ ସମର୍ଥିତ ‘ଟେଲକମ ଷ୍ଟାଣ୍ଡାର୍ଡସ ଡେଭଲାପମେଣ୍ଟ ସୋସାଇଟି ଅଫ ଇଣ୍ଡିଆ’ ପକ୍ଷରୁ ୨୦୨୨ ଜାନୁୟାରୀ ଶେଷ ସପ୍ତାହରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଆନ୍ତର୍ଜାତିକସ୍ତରରେ ପ୍ରଚଳିତ ‘ଥାର୍ଡ଼-ଜେନେରେସନ ପାର୍ଟନରସିପ ପ୍ରୋଜେକ୍ଟ’ର ନୀତି ଭାରତରେ ପ୍ରଚଳନ କରାଯିବା ନେଇ ‘ଇଣ୍ଟରନେସନାଲ ଟେଲିକମ୍ୟୁନିକେସନ ୟୁନିୟନ’କୁ ଜଣାଇ ଦିଆଯାଇଛି । ସରକାରୀ ନୀତି ସ୍ଥାନୀୟ ସ୍ମାର୍ଟଫୋନ ନିର୍ମାତାମାନଙ୍କୁ ଉତ୍ସାହିତ କରିଛି । ଉଦାହରଣରେ ‘ନୋକିଆ’ ୫ଜି ସ୍ମାର୍ଟଫୋନ ନିର୍ମାଣଲାଗି ୫୦ ଭାଗ ଯନ୍ତ୍ରାଂଶ ଭାରତରେ ତିଆରି ଏବଂ ଉତ୍ପାଦିତ ସାମଗ୍ରୀର ୫୦ ପ୍ରତିଶତ ଆନ୍ତର୍ଜାତିକ ବଜାରରେ ବିକ୍ରୀ ନିମନ୍ତେ ରପ୍ତାନୀ କରିବାଲାଗି ପ୍ରସ୍ତୁତ ଥିବା ଜଣାଯାଏ ।


 

ସ୍ମାର୍ଟଫୋନ ବ୍ୟବହାର ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ବ୍ୟାପକ ପରିବର୍ତ୍ତନର ବାହକ ହେବା ନିଶ୍ଚିତ । ଅନୁଶୀଳନ କଲେ ଭାରତରେ ୨୦୧୫ରୁ ୨୦୨୫ ଦଶ ବର୍ଷରେ ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟରୁ ଏକତୃତୀୟାଂଶ ଡିଜିଟାଲ ମଞ୍ଚରେ ବିଲୀନ ହେବା ସଙ୍ଗେ ଅନ୍ୟ ଏକ-ତୃତୀୟାଂଶ ବନ୍ଦ ହୋଇଯିବ । ଅନ୍ୟ ଏକ-ତୃତୀୟାଂଶ ପୂର୍ବପରିଚ଼ିତି ହରାଇ ପାରମ୍ପରିକ ଆଙ୍ଗିକରେ ବ୍ୟାପକ ପରିବର୍ତ୍ତନ ଆଣି ସଙ୍କୁଚିତ ଉପଭୋକ୍ତାଙ୍କ ଉପସ୍ଥିତିରେ ପ୍ରକାଶନ ଜାରି ରଖିବ । ତେବେ ସମଗ୍ର ସମ୍ୱାଦ ମଞ୍ଚ ଯେ ପରିବର୍ତ୍ତନର ଶୀକାର ହେବେ ଏଥିରେ ସନ୍ଦେହ ନାହିଁ ।


 

ଗଣମାଧ୍ୟମ ଓ ମନୋରଞ୍ଜନ ମଞ୍ଚ ଆହରଣ ନିମନ୍ତେ ସ୍ମାର୍ଟଫୋନ ବ୍ୟବହାର ଉପଭୋକ୍ତାଙ୍କ ଆଚ଼ରଣ ପରିବର୍ତ୍ତନରେ ସର୍ବାପେକ୍ଷା ପ୍ରଭାବଶାଳୀ ବିଚାର କରାଯାଏ । ଭାରତରେ ୨୦୨୧ରୁ ୨୦୨୬ ପାଞ୍ଚ ବର୍ଷ ମଧ୍ୟରେ ବ୍ୟବହୃତ ସ୍ମାର୍ଟଫୋନ ସଂଖ୍ୟା ୭୫ କୋଟିରୁ ଶହେ କୋଟିକୁ ବୃଦ୍ଧି ହେବ । ଏହି ବୃଦ୍ଧି ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଢ଼େଇଗୁଣ ଯାଏଁ ଅଧିକ ରହିବା ପୁର୍ବାନୁମାନ କରାଯାଉଥିବା ହେତୁ ଆଞ୍ଚଳିକ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପକୁ ବ୍ୟାପକ ପ୍ରଭାବିତ କରିବା ଆଶା କରାଯାଇପାରେ । ଏହି ଘଟଣାକ୍ରମରେ ଓଡ଼ିଆ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ମଧ୍ୟ ସାମିଲ ହେବା ନିଶ୍ଚିତ ।


 

ସ୍ମାର୍ଟଫୋନର ବ୍ୟବହାର ପାରମ୍ପରିକ ଅଡ଼ିଓ ଓ ଭିଡ଼ିଓ ମନୋରଞ୍ଜନ ଯଥା ସଙ୍ଗୀତ, ଚଳଚିତ୍ର ଓ ଟେଲିଭିଜନ କାର୍ଯ୍ୟକ୍ରମର ସୀମା ଅତିକ୍ରମ କରି ଅନଲାଇନ ଗେମିଂରେ ପହଞ୍ଚିଥିବା ଅନ୍ୟ ଏକ ଚର୍ଚ୍ଚିତ ପ୍ରସଙ୍ଗ । ‘୨୦୨୦ ଇନ-ମୋବି ମୋବାଇଲ ମାର୍କେଟିଂ ହ୍ୟଣ୍ଡବୁକ’ରେ ପ୍ରକାଶିତ ସୂଚନା ଅନୁଯାୟୀ ୨୦୨୧ରେ ଆନ୍ତର୍ଜାତିକସ୍ତରରେ ଗେମିଂ ଆପ ଡ଼ାଉନଲୋଡ଼ ସଂଖ୍ୟାରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଦେଶରେ ଗେମିଂ ଉପଭୋକ୍ତାଙ୍କ ମଧ୍ୟରେ ୪୩ ପ୍ରତିଶତ ମହିଳା । ଯୁବ ସମ୍ପଦାୟର ୯୭ ପ୍ରତିଶତ ସୋସିଆଲ ମିଡ଼ିଆ ଦ୍ୱାରା ପ୍ରଭାବିତ ହୋଇ କିଣାବିକା କରୁଛନ୍ତି ।


 

ଭବିଷ୍ୟତରେ ଗେମିଂର ଲୋକପ୍ରିୟତାକୁ ଦୃଷ୍ଟି ରଖି ଭାରତରେ ଉଭୟ ସରକାରୀ ଓ ଶିଳ୍ପାନୁଷ୍ଠାନଗୁଡ଼ିକ ପକ୍ଷରୁ ‘ଆନିମେସନ, ଭିଜୁଆଲ ଏଫେକ୍ଟସ, ଗେମିଂ ଏଣ୍ଡ କମିକ୍ସ’ କ୍ଷେତ୍ରରେ ଅନୁକୂଳ ନୀତି ଉପଯୋଗ ନିମନ୍ତେ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଗେମିଂ କ୍ଷେତ୍ରରେ ଆନ୍ତର୍ଜାତିକସ୍ତରରେ ଭାରତ ପଛରେ ପଡ଼ିରହିଛି । ୨୦୩୦ ସୁଦ୍ଧା ଏହି ଦିଗରେ ବ୍ୟାପକ ଉନ୍ନତି ନିମନ୍ତେ ଯୋଜନାମାନ ପ୍ରଣୟନ କରାଯାଉଛି । ହିସାବ ଅନୁଯାୟୀ ୨୦୨୨ ସୁଦ୍ଧା ଭାରତରେ ୯୨୦ ଗୋଟି ଗେମିଂ ଷ୍ଟାର୍ଟ-ଅପ ଥିବା ସ୍ଥଳେ ବ୍ରିଟେନରେ ୧,୨୧୬ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ୩,୩୭୪ ଗୋଟି ଗେମିଂ ଷ୍ଟାର୍ଟ-ଅପ କାର୍ଯ୍ୟରତ ଥିଲେ । ଆନ୍ତର୍ଜାତିକ ଗେମିଂ ବଜାରରେ ଭାରତର ଭାଗ ମାତ୍ର ଏକ ପ୍ରତିଶତରେ ସୀମିତ ରହିଥିଲା । ଏହି ଦିଗରେ ପୁଞ୍ଜି ଲଗାଣ, କୁଶଳୀ ଶ୍ରମଶକ୍ତି ସୃଷ୍ଟିକୁ ପ୍ରାଧାନ୍ୟ ଦିଆଯାଉଛି । ଅନଲାଇନ ଗେମିଂ ସ୍ମାର୍ଟଫୋନଭିତ୍ତିକ ଆଙ୍ଗିକରେ ପ୍ରସ୍ତୁତ ହେଉଥିବା ହେତୁ ଭାରତରେ ଗ୍ରାମାଞ୍ଚଳରେ ଏହି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଆଶା କରାଯାଏ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଫେବୃୟାରୀ ୨୦୨୨


ତଥ୍ୟ:



Shinde, Shivani. The dynamics of a connected India. Business Standard  (Bhubaneswar Edition). February 21, 2022.


 

India to have 1bn smart phone users by 2026, says Deloitte. Business Standard  (Bhubaneswar Edition). February 23, 2022


 

Das Gupta, Surajeet. India to have 350-400 mn 5G users by ’25-26 : Nokia. Business Standard (Bhubaneswar Edition). February 22, 2022.


 

Das Gupta, Surajeet. DoT drops plan on local 5G standards. Business Standard (Bhubaneswar Edition). January 27, 2022.


 

Gera, Ishen. Has Indian gaming got what it takes ? Business Standard  (Bhubaneswar Edition). February 21, 2022.


 

Batting big on animation, visual effects, gaming and comics. The Hindu (Cuttack Edition). February 22, 2022. 

'ଜିଓ' ପ୍ରଚ଼ଳନର ପାଞ୍ଚ ବର୍ଷ

‘ରିଲାଏନ୍ସ ଜିଓ’ ୫ ସେପ୍ଟେମ୍ୱର ୨୦୧୬ରେ ଟେଲିକମ ସେବା ଆରମ୍ଭ କରିଥିଲା । ମହାମାରୀଜନିତ ଦେଢ଼ ବର୍ଷ ଜରୁରି ପରିସ୍ଥିତିକୁ ମିଶାଇ ୨୦୨୧ ସୁଦ୍ଧା ପାଞ୍ଚ ବର୍ଷ ପୂରଣ କରିଛି । ଏହି ଅବସରରେ ଭାରତର ଏକ ଡିଜିଟାଲ ବିପ୍ଳବ ସୂତ୍ରପାତ ହୋଇଥିବା କୁହାଯାଏ । ଦେଶରେ ୪ଜି ଦୂରସଞ୍ଚାର ବୈଷୟିକ କୌଶଳ ପ୍ରଚଳନ, ତତ୍କାଳୀନ ପ୍ରଚଳିତ ଇଣ୍ଟରନେଟ ବ୍ୟବହାର ଡ଼ାଟା ଦରରେ ୯୫ ପ୍ରତିଶତ ଯାଏଁ ହ୍ରାସ ଏବଂ ମାଗଣାରେ ଭଏସ କଲ ସହ ଓଟିଟି ପ୍ଳାଟଫର୍ମ ବ୍ୟବହାର ଇତ୍ୟାଦି ଜିଓର ବୈଶିଷ୍ଟ୍ୟ । ଏହାର ଆବିର୍ଭାବ କାଳରେ ଭାରତୀୟ ଉପଭୋକ୍ତା ମାସିକ ହାରାହାରି ୯୦୦ ଏମବି ଡ଼ାଟା ବ୍ୟବହାର କରୁଥିବା ସ୍ଥଳେ ପାଞ୍ଚ ବର୍ଷ ମଧ୍ୟରେ ୧୨ ଜିବିକୁ ବୃଦ୍ଧି ପାଇଛି ।


 

ଜିଓ ଉପଭୋକ୍ତା ସଂଖ୍ୟା ୨୦୨୧ ସେପ୍ଟେମ୍ୱର ସୁଦ୍ଧା ପ୍ରାୟ ୮୦ କୋଟିରେ ପହଞ୍ଚିଥିବା ସ୍ଥଳେ ଦୂରସଞ୍ଚାର ଓ ଇଣ୍ଟରନେଟ ସଂଯୁକ୍ତିରେ ଅପେକ୍ଷାକୃତ ପଛୁଆ ରହିଥିବା ଓଡ଼ିଶାରେ ମୋଟ ତିନି କୋଟି ୪୭ ଲକ୍ଷ ମୋବାଇଲ ବ୍ୟବହାରକାରୀଙ୍କ ମଧ୍ୟରେ ଜିଓର ଭାଗ ଦେଢ଼ କୋଟି । ରାଜ୍ୟରେ ଜିଓର ସେବା ବ୍ୟବହାରକାରୀଙ୍କ ସଂଖ୍ୟା ସର୍ବାଧିକ ଏବଂ ପ୍ରତିମାସରେ ପ୍ରାୟ ଅଢ଼େଇ ଲକ୍ଷ ନୂତନ ଉପଭୋକ୍ତା ସାମିଲ ହୋଇଥାନ୍ତି । ‘ଟ୍ରାଇ’ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟରେ ମୋବାଇଲ ବ୍ରଡ଼ବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ପାଞ୍ଚ ବର୍ଷ ମଧ୍ୟରେ ୪୧ ଲକ୍ଷରୁ ଦୁଇକୋଟିରେ ପହଞ୍ଚିଛି ।


 

ଟେଲିଯୋଗାଯୋଗ କ୍ଷେତ୍ରରେ ଜିଓର ପ୍ରମୁଖ ଯୋଗଦାନ ସତ୍ତ୍ୱେ ଆନ୍ତର୍ଜାତିକସ୍ତରରେ ଭାରତ ଇଣ୍ଟରନେଟ ସଂଯୁକ୍ତି କ୍ଷେତ୍ରରେ ପଛୁଆ ରହିଆସିଛି । ଭାରତରେ ୫୦ ପ୍ରତିଶତ ନାଗରିକ ଇଣ୍ଟରନେଟ ସଂଯୁକ୍ତିରୁ ବଞ୍ଚିତ ଥିବା ସ୍ଥଳେ ପଡ଼ୋଶୀ ବାଂଲାଦେଶରେ ୫୯ ପ୍ରତିଶତ ଏବଂ ପାକିସ୍ଥାନରେ ୬୫ ପ୍ରତିଶତ ଯାଏଁ ଇଣ୍ଟରନେଟ ସଂଯୁକ୍ତି ଅପେକ୍ଷାରେ ରହିଥିବା ଜଣାଯାଏ । ଭାରତରେ ଡିଜିଟାଲ ପ୍ରଗତି ଇ-କମର୍ସ, ବ୍ୟାଙ୍କିଙ୍ଗ, ମନୋରଞ୍ଜନ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପ୍ରଶାସନ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନର ସୂତ୍ରଧର ସାଜିଥିବା ସୁସ୍ପଷ୍ଟ । ତେବେ ୨୦୨୧ ସୁଦ୍ଧା ଏଥିରେ ସମଗ୍ର ଜନସଂଖ୍ୟା ସାମିଲ ହୋଇ ନପାରୁଥିବା ହେତୁ ଡିଜିଟାଲ ସଂସ୍କୃତି କିପରି ଅନ୍ୟ ଅର୍ଦ୍ଧେକଙ୍କ ନିକଟରେ ପହଞ୍ଚି ପାରିବ ତଥା ଗୁଣାତ୍ମକ ବିକାଶ ଘଟିବ ତାହା ଆହ୍ୱାନରେ ପରିଣତ ହୋଇଛି ।


 

ଉଦାହରଣରେ ମହାମାରୀ କାଳରେ ଭାରତରେ ଅନଲାଇନ ଶିକ୍ଷାର ବାସ୍ତବଚ଼ିତ୍ର ସଂପର୍କରେ ବିଚାର କରାଯାଉ । ‘ଦି ସ୍କୁଲ ଚ଼ିଲରନ୍ସ ଅନଲାଇନ ଏଣ୍ଡ ଅଫଲାଇନ ଲେରନିଂ’ ନାମିତ ଏକ ସର୍ବେକ୍ଷଣରେ ଦେଶର ୧୫ ଗୋଟି ରାଜ୍ୟର ୧୪୦୦ ଜଣ ଅନଗ୍ରସର ଶ୍ରେଣୀ ଅନ୍ତର୍ଭୁକ୍ତ ବାଳକବାଳିକାଙ୍କ ମହାମାରୀରେ ଶିକ୍ଷାଗ୍ରହଣ ସଂପର୍କରେ ତଥ୍ୟ ସଂଗୃହୀତ ହୋଇଥିଲା । ଏଥିରୁ ଜଣାଯାଇଥିଲା ଯେ ଶିକ୍ଷାକ୍ଷେତ୍ରରେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନେ ସର୍ବାଧିକ କ୍ଷତି ସମ୍ମୁଖୀନ ହୋଇଛନ୍ତି । ପାରିବାରିକସ୍ତରରେ ସହରାଞ୍ଚଳରେ ୭୭ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୫୧ ପ୍ରତିଶତ ସ୍ମାର୍ଟଫୋନ ଉପଲବ୍ଧ ଥିବା ସ୍ଥଳେ ସହରାଞ୍ଚଳରେ ୩୧ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୧୫ ପ୍ରତିଶତ ଛାତ୍ରଛାତ୍ରୀ ନିୟମିତ ଅନଲାଇନ ଶିକ୍ଷାଗ୍ରହଣରେ ସମର୍ଥ ହୋଇଥିଲେ ।


 

ଡ଼ିଜିଟାଲ ବିପ୍ଳବ ସହରାଞ୍ଚଳର ସ୍ୱଚ୍ଛଳ ପରିବାରବର୍ଗ ମଧ୍ୟରେ ଗୁଣାତ୍ମକ ଶିକ୍ଷା ଗ୍ରହଣ ନିମନ୍ତେ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ କରିଛି । ଜିଓ ସେବା ଆରମ୍ଭ ବେଳେ ଦେଶରେ ମାତ୍ର ୧୫ ଲକ୍ଷ ଛାତ୍ରଛାତ୍ରୀ ବ୍ୟାବସାୟିକଭିତ୍ତିରେ ପରିଚାଳିତ ଅନଲାଇନ ଶିକ୍ଷା ଗ୍ରହଣ କରୁଥିବା ସ୍ଥଳେ ପାଞ୍ଚ ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ୬୫ ଲକ୍ଷରୁ ଉର୍ଦ୍ଧ୍ୱ ସୀମାରେ ପହଞ୍ଚିଛି । ଡିଜିଟାଲ ସଂଯୁକ୍ତିରେ ଧନୀକ ଓ ଗରିବଙ୍କ ମଧ୍ୟରେ ବିଭେଦ ‘ଡିଜିଟାଲ ଡିଭାଇଡ଼’ ଅନଲାଇନ ଶିକ୍ଷା ପ୍ରସାରରେ ବାଧକ ସାଜିଛି ।


 

ଅବଶ୍ୟ ସାମାଜିକ ଯୋଗାଯୋଗ କ୍ଷେତ୍ରରେ ଭିନ୍ନ ଚ଼ିତ୍ର ଦେଖିବାକୁ ମିଳିଥାଏ । ଜିଓ ପ୍ରବେଶ ବର୍ଷ ଫେସବୁକର ଉପଭୋକ୍ତା ସଂଖ୍ୟା ୨୦ କୋଟି ୫୦ ଲକ୍ଷ ଥିବା ବେଳେ ପାଞ୍ଚ ବର୍ଷପରେ ୪୨ କୋଟି ୫୦ ଲକ୍ଷରେ ପହଞ୍ଚିଛି । ସେହିପରି ହ୍ୱାଟସଆପର ଉପଭୋକ୍ତା ସଂଖ୍ୟା ୧୯ କୋଟିରୁ ୩୯ କୋଟିକୁ ବୃଦ୍ଧି ପାଇଛି । ସ୍ମାର୍ଟଫୋନରେ ବିଭିନ୍ନ ଆପ୍ଲିକେସନ ଡ଼ାଉନଲୋଡ଼ ସଂଖ୍ୟା ମଧ୍ୟ ଏହି ସମୟ ଅବଧିରେ ତିନିଗୁଣ ବଢ଼ିଛି । ଗୁଗୁଲ-ପ୍ଳେ ଷ୍ଟୋରରେ ଭାରତୀୟ ପ୍ରକାଶକଙ୍କ ଲକ୍ଷେ ଷାଠିଏ ହଜାରରୁ ଉର୍ଦ୍ଧ୍ୱ ଆପ ଉପଲବ୍ଧ ଥିବା ସ୍ଥଳେ ପ୍ରାୟ ସମସ୍ତ ଡ଼ାଉନ ଲୋଡ଼ ମାଗଣା ଏବଂ ମାତ୍ର ତିନି ପ୍ରତିଶତ ଡ଼ାଉନଲୋଡ଼ ପାଇଁ ଗ୍ରାହକ ଚାନ୍ଦା ଦେବାକୁ ପଡ଼ିଥାଏ । ଏହି ସବୁ ପରିସଂଖ୍ୟାନ ଅନଲାଇନ ପରିବେଶରେ ଭାରତୀୟମାନଙ୍କ ଯୋଗଦାନର ସ୍ୱର୍ଣ୍ଣିମ ଚିତ୍ର ପ୍ରଦାନ କରିଥାଏ ।


 

ଭାରତୀୟ ଟେଲିଯୋଗାଯୋଗ ସେବାରେ ଜିଓର ପ୍ରବେଶ ପ୍ରଥମ ପାଞ୍ଚ ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିଥିଲେ ହେଁ ପରବର୍ତ୍ତୀ ପାଞ୍ଚ ବର୍ଷ ଗୁରୁତ୍ୱପୂର୍ଣ୍ଣ । ଏକ ପକ୍ଷରେ ଇଣ୍ଟରନେଟ ବଞ୍ଚିତ ଅର୍ଦ୍ଧେକ ଜନସଂଖ୍ୟା ମଧ୍ୟରୁ ଅଧିକାଂଶକୁ ଅନଲାଇନ ମଞ୍ଚକୁ ଆଣିବା ତଥା ଅପରପକ୍ଷରେ ଇଣ୍ଟରନେଟ ସେବାର ଗୁଣାତ୍ମକ ବିକାଶ ପ୍ରତି ଦୃଷ୍ଟି ଆକର୍ଷିତ ହୋଇଥାଏ । ଅନଲାଇନ ପରିବେଶରେ ବୈଷମ୍ୟ ଚ଼ିନ୍ତାର କାରଣ ପାଲଟିଛି ।


 

ଯୋଗାଯୋଗ, ମନୋରଞ୍ଜନ ଓ ଇ-କମର୍ସରେ ଇଣ୍ଟରନେଟ ବ୍ୟବହାର ବଢ଼ିଥିବା ସ୍ଥଳେ ମହାମାରୀ କାଳରେ ଆହୂତ କେତେକ ଗବେଷଣା ଅନୁଯାୟୀ ସମଗ୍ର ଦକ୍ଷିଣ ଏସିଆରେ ବିଭିନ୍ନ କାରଣରୁ ୮୮ ପ୍ରତିଶତ ଯାଏଁ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାଗ୍ରହଣରୁ ଦୂରେଇ ରହିଥିବା ଉଦାହରଣରୁ ସଂଯୁକ୍ତି, ଉପକରଣ ସାଙ୍ଗକୁ ଜନସାଧାରଣରେ ଶିକ୍ଷାପ୍ରତି ପ୍ରାଥମିକତା ଦିଆ ନଯାଉଥିବା ସୁସ୍ପଷ୍ଟ । ସେହିପରି ୬୪ ପ୍ରତିଶତ ଯାଏଁ ଖୁଚୁରା ବିକ୍ରୀ ହ୍ରାସ ଭଳି ସମସ୍ୟାକୁ ଅନଲାଇନ ବୈଷୟିକ କୌଶଳ କିପରି ପ୍ରତିହତ କରିପାରିବ ତାହା ପରବର୍ତ୍ତୀ ପାଞ୍ଚବର୍ଷରେ ପ୍ରମାଣିତ ହେବ ।


 

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମଲ’ରେ ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଇଣ୍ଟରନେଟ ବ୍ୟବହାର ପ୍ରାଥମିକତା ଦାବୀ କରିବ । କୁହାଯାଉଛି ଯେ ୨୦୨୧ ସେପ୍ଟେମ୍ୱର ସୁଦ୍ଧା ପ୍ରାୟ ଦେଢ଼ ବର୍ଷ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବା ଏବଂ ଅନଲାଇନ ଶିକ୍ଷାଦାନ ସନ୍ତୋଷଜନକ ନହୋଇପାରିବା ହେତୁ ଗରିବ ଓ ଗ୍ରାମାଞ୍ଚଳର ବାଳକବାଳିକାମାନେ ଶିଶୁ ଶ୍ରମିକ ତଥା ବାଳିକାମାନଙ୍କ ମଧ୍ୟରେ ଶୀଘ୍ର ବିବାହ ସଂଖ୍ୟା ବୃଦ୍ଧି ପାଇବ । ବହୁ ପରିଶ୍ରମରେ ଏହିଭଳି ସାମାଜିକ ଅସଂଗତିଗୁଡ଼ିକୁ ନିୟନ୍ତ୍ରଣାଧୀନ କରାଯାଇଥିବା ସ୍ଥଳେ ବୈଷୟିକ କିମ୍ୱା ମାନସିକତା ତୃଟି କାରଣରୁ ଅବନତିକୁ ଏଡ଼ାଇବା ନିମନ୍ତେ ଉଦ୍ୟମ ଜରୁରି ।


 

ଜିଓ ପ୍ରବର୍ତ୍ତିତ ଡିଜିଟାଲ ବିପ୍ଳବରେ ମହାମାରୀରେ ହ୍ୱାଟସଆପ, ଜୁମ ତଥା ଅନ୍ୟାନ୍ୟ ଆପ୍ଲିକେସନ ମାଧ୍ୟମରେ ଭିଡ଼ିଓ କଲର ବ୍ୟାପକ ବ୍ୟବହାର ଅନ୍ୟତମ ଦୃଷ୍ଟିଆକର୍ଷକ ପର୍ଯ୍ୟାୟ । ଭିଡ଼ିଓ ଆପ ‘ଜୁମ’ ଓ ଗବେଷଣା ପ୍ରତିଷ୍ଠାନ ‘କ୍ୱାଲିଟ୍ରିସ ରିସର୍ଚ୍ଚ’ ପକ୍ଷରୁ ମାର୍ଚ୍ଚ ୨୦୨୧ରେ ଭାରତ ସମେତ ୧୫ ଗୋଟି ରାଷ୍ଟ୍ରରେ ପ୍ରାୟ ସାଢ଼େ ସାତ ହଜାର ଭିଡିଓ ଉପଭୋକ୍ତାଙ୍କ ଗହଣରେ ଆୟୋଜିତ ସର୍ବେକ୍ଷଣରୁ ଜନସାଧାରଣରେ ପରିବର୍ତ୍ତିତ ରୁଚ଼ି ଚ଼ିହ୍ନଟ ହୋଇଥିଲା । ପ୍ରଥମତଃ, ୧୩ ପ୍ରତିଶତ ଭାରତୀୟ କେବଳ ଭିଡ଼ିଓ ଯୋଗାଯୋଗ ବ୍ୟବହାରରେ ଅନଲାଇନ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିଥିବା ସ୍ଥଳେ ୪୬ ପ୍ରତିଶତ ଅନଲାଇନ ଓ ଅଫଲାଇନ ‘ହାଇବ୍ରିଡ଼’ ଶିକ୍ଷାପ୍ରଣାଳୀ ଚୟନ କରିଥିଲେ । ଦ୍ୱିତୀୟତଃ, ବ୍ୟାବସାୟିକ କଥାବାର୍ତ୍ତା ୧୨ ପ୍ରତିଶତ କେବଳ ଭିଡ଼ିଓ କଲରେ ସୀମିତ ରଖିବେ ବୋଲି କହିଥିଲେ । ତୃତୀୟତଃ, ୯୨ ପ୍ରତିଶତ ଅନ୍ୟମାନଙ୍କ ସହ ସଂପର୍କ ସ୍ଥାପନ ଏବଂ ୯୦ ପ୍ରତିଶତ ଏକାନ୍ତବୋଧରୁ ମୁକ୍ତି ପାଇଁ ଭିଡିଓ କଲ ଉପଯୋଗୀ ହୋଇଥିବା ଦର୍ଶାଇଥିଲେ ।


 

ଅନ୍ୟାନ୍ୟ ଉଲ୍ଲେଖଯୋଗ୍ୟ ସୂଚନା ମଧ୍ୟରେ ଯୁବବର୍ଗଙ୍କ ସହ ବରିଷ୍ଠ ନାଗରିକମାନେ ମଧ୍ୟ ଭିଡ଼ିଓ କଲ ବ୍ୟବହାରରେ ଅଭ୍ୟସ୍ତ ହୋଇପଡୁଥିବା ଏବଂ ଡ଼ାକ୍ତରଙ୍କ ସହ ଚ଼ିକିତ୍ସାଗତ ପରାମର୍ଶ ପାଇଁ ଭିଡ଼ିଓ କଲକୁ ଅଗ୍ରାଧିକାର ଦେଉଥିବା ଅନ୍ୟତମ । ଭାରତରେ ୫ଜି ଟେଲିଯୋଗାଯୋଗ ବୈଷୟିକ କୌଶଳ ଦୁଇ ବୃହତ ବ୍ୟାବସାୟିକ ପ୍ରତିଷ୍ଠାନ ଜିଓ ଓ ଏୟାରଟେଲ ୨୦୨୧ରୁ ୨୦୨୩ ମଧ୍ୟରେ ପ୍ରବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା ସ୍ଥଳେ ୨୦୨୫ ସୁଦ୍ଧା ଇଣ୍ଟରନେଟ ସେବାରେ ବ୍ୟାପକ ଗୁଣାତ୍ମକ ବିକାଶ ଆଶା କରାଯାଉଛି । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୭ ସେପ୍ଟେମ୍ୱର ୨୦୨


ତଥ୍ୟ:



Das Gupta, Surajeet. Five years of Jio : Disruption to data revolution. Business Standard (Bhubaneswar Edition). September 4, 2021


 

Mukharjee, Andy. School lockdowns have robbed a generation of upward mobility. Business Standard (Bhubaneswar Edition). September 9, 2021


 

Hariharan, Sindhu. Desis most positive about video calling globally : Study . The Times of India. (Bhubaneswar Edition). August 9, 2021


 

Khasru, Syed Munir. South Asia’s emerging digital transformation. The Hindu (Cuttack Edition). August 7, 2021.


 

୧.୫ କୋଟି ଗ୍ରାହକଙ୍କ ସହିତ ଓଡ଼ିଶା ବଜାରରେ ଶୀର୍ଷରେ ଜିଓ । ସକାଳ । ଅଗଷ୍ଟ ୨୮, ୨୦୨୧

ଭାରତରେ ଚୀନ ସ୍ମାର୍ଟଫୋନ

ଭାରତରେ ବ୍ୟବହୃତ ସ୍ମାର୍ଟଫୋନ ସଂଖ୍ୟା ଫିଚ଼ର ଫୋନଠାରୁ ବଳି ପଡ଼ିଥିବା ଜଣାଯାଏ । ମୋବାଇଲ ଫୋନଭିତ୍ତିକ ଗବେଷଣା ସଂସ୍ଥା ‘କାଉଣ୍ଟର-ପଏଣ୍ଟ ରିସର୍ଚ୍ଚ’ର ବିବରଣୀ ଅନୁଯାୟୀ ୨୦୨୦ ଜାନୁୟାରୀ ଠାରୁ ମାର୍ଚ୍ଚ ମଧ୍ୟରେ ଦେଶରେ ୪୭ କୋଟି ଫିଚର ଫୋନ ବ୍ୟବହୃତ ହେଉଥିବା ସ୍ଥଳେ ସ୍ମାର୍ଟଫୋନ ସଂଖ୍ୟା ୫୦ କୋଟିରେ ପହଞ୍ଚିଥିଲା । ମାର୍ଚ୍ଚ ଶେଷ ସପ୍ତାହରୁ ମହାମାରୀଜନିତ ଜନପଦ ବନ୍ଦ ‘ଲକଡାଉନ’ ଅବସରରେ ସମ୍ୱାଦ ସରବରାହ କ୍ଷେତ୍ରରେ ବହୁ ପରିବାର ସ୍ମାର୍ଟଫୋନ ଯୋଗେ ଉପକୃତ ହୋଇଥିବା ନିଶ୍ଚିତ ।


 

ଭାରତୀୟ ସ୍ମାର୍ଟଫୋନ ବଜାରରେ ବହୁଳ ବିକ୍ରୀ ହେଉଥିବା ପ୍ରଥମ ପାଞ୍ଚଗୋଟି ବ୍ରାଣ୍ଡ ମଧ୍ୟରେ ଚାରିଗୋଟି ଚୀନ ଅଧିକୃତ ପ୍ରସ୍ତୁତକର୍ତ୍ତା । ୨୦୨୦ର ପ୍ରଥମ ତ୍ରୟମାସିକ ବିକ୍ରୀ ହିସାବରେ ସାୟୋମି ୩୦ ପ୍ରତିଶତ, ଭିଭୋ ୧୭ ପ୍ରତିଶତ, ରିଅଲମି ୧୪ ପ୍ରତିଶତ, ଓପୋ ୧୨ ପ୍ରତିଶତ ଅଧିକାର କରିଥିଲେ । ଦକ୍ଷିଣ କୋରିଆର ସାମସୁଙ୍ଗ ୧୬ ପ୍ରତିଶତ ଏବଂ ଭାରତ ସମେତ ଅନ୍ୟାନ୍ୟ ଦେଶର ବ୍ରାଣ୍ଡ ୧୧ ପ୍ରତିଶତ ସ୍ମାର୍ଟଫୋନ ବିକ୍ରୀ କରିଥିଲେ । ଦେଶର ମୋଟ ସ୍ମାର୍ଟଫୋନ ବଜାରର ୭୩ ପ୍ରତିଶତ ବିକ୍ରୀ ଚୀନ ବ୍ରାଣ୍ଡଗୁଡ଼ିକ ଅକ୍ତିଆରେ ରହିଥିଲା ।


 

୨୦୨୦ର ଦ୍ୱିତୀୟ ତ୍ରୟମାସିକ ବିକ୍ରୀ ଏପ୍ରିଲ ରୁ ଜୁନ ମଧ୍ୟରେ ଲକଡ଼ାଉନ କାରଣରୁ ଦୋକାନବଜାର, ଇ-କମର୍ସ, ଯୋଗାଣ ଓ ବିତରଣ ପ୍ରଭାବିତ ହୋଇଥିବା ହେତୁ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ସହ ସ୍ମାର୍ଟଫୋନ ବିକ୍ରୀ କମ ରହିବା ସ୍ୱାଭାବିକ । ତେବେ ଜୁନ ମଧ୍ୟଭାଗରେ ଚୀନ-ଭାରତ ସୀମାନ୍ତରେ ଉତ୍ତେଜନା ଏବଂ ଭାରତୀୟ ସୈନ୍ୟ ମୃତାହତ ହେବା ପରେ ଭାରତରେ ଚୀନ ବିରୋଧୀ ମନୋଭାବ ଉଦ୍ରେକ ହୋଇଛି । ଚୀନ ପ୍ରସ୍ତୁତ ସାମଗ୍ରୀ ବର୍ଜନ ନିମନ୍ତେ ଡାକରାରେ ସ୍ମାର୍ଟଫୋନ ବଜାର କେତେଦୂର ପ୍ରଭାବିତ ହେବ ତାହା ସମୟ କହିବ । ତେବେ ବିଶେଷଜ୍ଞମାନେ ଅନ୍ତତଃ ପକ୍ଷେ ୨୦୨୦ର ତୃତୀୟ ଓ ଚ଼ତୁର୍ଥ ତ୍ରୟମାସିକ ବ୍ୟବସାୟରେ ଚୀନ ସ୍ମାର୍ଟଫୋନ ବ୍ରାଣ୍ଡଗୁଡ଼ିକର ବିକ୍ରୀରେ ଶିଥିଳତା ଆଶା କରୁଛନ୍ତି ।


 

ସ୍ମାର୍ଟଫୋନ ବଜାରରେ ସଂଘଟିତ ବିଘଟନରେ ବହୁ ଅଂଶୀଦାର ପ୍ରଭାବିତ ହେବେ । ଚୀନ ବ୍ରାଣ୍ଡଗୁଡ଼ିକ ୨୦୧୯ରେ ପ୍ରାୟ ପନ୍ଦରଶହ କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରିଥିଲେ । ୨୦୨୦ ଦ୍ୱିତୀୟ ଓ ତୃତୀୟ ତ୍ରୟମାସରେ ହଜାରେ କୋଟି ଟଙ୍କା ଯାଏଁ ବିଜ୍ଞାପନ ଆଶା କରାଯାଉଥିଲା । ତେବେ ବଜାରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଲକ୍ଷ୍ୟକରି ଅନ୍ତତଃପକ୍ଷେ ସେମାନେ ବିଜ୍ଞାପନରୁ ଓହରିଯିବା ନିଶ୍ଚିତ । ଚୀନ ବ୍ରାଣ୍ଡଗୁଡ଼ିକ ମୁଖ୍ୟତଃ ଟେଲିଭିଜନ ଓ ସୋସିଆଲ ମିଡ଼ିଆରେ ଫୋନ ବିଜ୍ଞାପନ ପ୍ରଦର୍ଶନ କରୁଥିବା ହେତୁ ମହାମାରୀ-ପର ଅବସ୍ଥାରେ ମାନ୍ଦା ବିଜ୍ଞାପନ ବ୍ୟବସାୟରେ ସାମାନ୍ୟ ସୁଧାର ଆଶା କରାଯାଉଥିବା ସ୍ଥଳେ ଚୀନ ସ୍ମାର୍ଟଫୋନ ବ୍ରାଣ୍ଡଗୁଡ଼ିକର ଅନୁପସ୍ଥିତି ଏକ ବିସ୍ତୃତ ଶୂନ୍ୟସ୍ଥାନ ସୃଷ୍ଟି କରିବ ।


 

‘ସେଲ୍ୟୁଲାର ଏଣ୍ଡ ଇଲକ୍ଟ୍ରୋନିକ୍ସ ଏସୋସିଏସନ’ ପକ୍ଷରୁ ଏପ୍ରିଲ ଶେଷ ସପ୍ତାହରେ ଜାରୀ କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଥିଲା ଯେ ମହାମାରୀ-ପୂର୍ବ ଅବସ୍ଥାରେ ମାସିକ ହାରାହାରି ଅଢ଼େଇ କୋଟି ମୋବାଇଲ ଫୋନ ବିକ୍ରୀ ହେଉଥିଲା । ଦୁଇମାସର ଲକଡ଼ାଉନ ଅବସରରେ ଅଢ଼େଇ କୋଟି ମୋବାଇଲ ଫୋନ ଯନ୍ତ୍ରପାତି ଅଭାବରୁ ମରାମତ ନ ହୋଇପାରି ଅବ୍ୟବହୃତ ଅବସ୍ଥାରେ ପହଞ୍ଚିଥିଲା । ପରିବହନ ବ୍ୟବସ୍ଥାରେ ବାଧା କାରଣରୁ ଚୀନରୁ ବଡ଼ ସହର ଏବଂ ବଡ଼ ସହରଗୁଡ଼ିକରୁ ଆଭ୍ୟନ୍ତରୀଣ ଅଞ୍ଚଳକୁ ଯନ୍ତ୍ରାଂଶ ଚାଲାଣ ହୋଇପାରୁନଥିଲା । ଏହି ହିସାବ ଆଧାରରେ ଲକଡ଼ାଉନ ଉଠିବାପରେ ପାଞ୍ଚରୁ ସାତ କୋଟି ଯାଏଁ ନୂଆ ମୋବାଇଲ ଫୋନ ବିକ୍ରୀ ଆକଳନ କରାଯାଉଥିଲା । ସେଥି ମଧ୍ୟରୁ ସ୍ମାର୍ଟଫୋନ ବର୍ଗରେ ୭୫ ପ୍ରତିଶତ ଚୀନ ବ୍ରାଣ୍ଡ ମୁହାଁ ହୋଇଥାନ୍ତା ।


 

ଭାରତ ବଜାର ଚୀନ ସ୍ମାର୍ଟଫୋନ ଅକ୍ତିଆରରେ ସ୍ଥାନୀୟ ନିର୍ମାତାମାନେ କ୍ଷୁବ୍ଧ ହେବା ସ୍ୱାଭାବିକ । ଚୀନ ବ୍ରାଣ୍ଡଗୁଡ଼ିକର ପର୍ଯ୍ୟାପ୍ତ ଆର୍ଥିକ ନିବେଶ କ୍ଷମତା, ବ୍ୟାବସାୟିକ ଦକ୍ଷତା ଏବଂ ସର୍ବୋପରି ଉପଭୋକ୍ତାଙ୍କ ନିମନ୍ତେ କମ ମୂଲ୍ୟରେ ଉଚ୍ଚମାନର ସ୍ମାର୍ଟଫୋନ ଯୋଗାଣ ରଣନୀତିର ମୁକାବିଲା ସମ୍ଭବପର ହୋଇପାରୁ ନାହିଁ । ଭାରତ-ଚୀନ ସୀମାନ୍ତରେ ସାମରିକ ତନାଘନା ଏବଂ ଭାରତୀୟ ଗଣମାଧ୍ୟମରେ ପ୍ରଚାର ହେତୁ ଦେଶରେ ଚୀନ ଉତ୍ପାଦିତ ଜିନିସପତ୍ର ବର୍ଜନ ମନୋଭାବକୁ ସ୍ଥାନୀୟ ବ୍ୟବସାୟୀମାନେ ହାତଛଡ଼ା କରିବା ନିମନ୍ତେ ପଛାଉ ନାହାନ୍ତି ।


 

‘କନଫଡ଼ରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍ସ’ ପକ୍ଷରୁ ଚୀନ ସ୍ମାର୍ଟଫୋନ ବିଜ୍ଞାପନରେ ବ୍ରାଣ୍ଡ ଆମ୍ୱାସଡ଼ରରୂପେ ନିଯୁକ୍ତ ଅମୀର ଖାନ, ରଣବୀର କପୁର ଓ ଦୀପିକା ପାଡୁକୋନଙ୍କୁ ଜୁନ ତୃତୀୟ ସପ୍ତାହରେ ଏକ ଖୋଲା ପତ୍ର ଲେଖି ବିଜ୍ଞାପନ ପ୍ରଚାରରୁ ଓହରିଯିବା ନିମନ୍ତେ ଅନୁରୋଧ କରାଯାଇଛି । ଅମୀର ଖାନ ‘ଭିଭୋ’, ରଣବୀର କପୁର ଓ ଦୀପିକା ପାଡୁକୋନ ‘ଅପୋ’ ସ୍ମାର୍ଟଫୋନ ବିଜ୍ଞାପନ ପ୍ରଦର୍ଶନରେ ଅଂଶ ଗ୍ରହଣ କରିଥିଲେ । ଅପରପକ୍ଷେ ସଂସ୍ଥା ପକ୍ଷରୁ ପ୍ରସ୍ତାବିତ ଦେଶବ୍ୟାପୀ ପ୍ରଚାର ଅଭିଯାନରେ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କୁ ସ୍ୱଦେଶୀ ଜିନିସପତ୍ର ବ୍ୟବହାରଲାଗି ବିଜ୍ଞାପନରେ ସାମିଲ କରିବା ନିମନ୍ତେ ଅନୁରୋଧ କରାଯାଇଥିବା ପ୍ରକାଶ ।


 

ଆନ୍ତର୍ଜାତିକସ୍ତରରେ ମହାମାରୀ-ପୂର୍ବ କିଛି କାଳପୂର୍ବରୁ ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହନ ଓ ଆମଦାନୀ ବର୍ଜନ ନୀତି କ୍ରମଶଃ ଗୁରୁତ୍ୱଲାଭ କରୁଥିବା ଦେଖାଯାଇଥିଲା । ମହାମାରୀ-ପର ଅବସ୍ଥାରେ ବ୍ୟାପକ ଅର୍ଥନୀତିକ ବିଘଟନର ଆଶଙ୍କାରେ ତାହା ଦୃଢ଼ୀଭୂତ ହୋଇଛି । ଏହି ଅବସରରେ ବିଶ୍ୱବ୍ୟାପୀ ରପ୍ତାନୀ ବ୍ୟବସାୟରେ ପାରମଙ୍ଗତା ହାସଲ କରିଥିବା ଚୀନ ସାମଗ୍ରୀର ବିକ୍ରୀବଟା ପ୍ରଭାବିତ ହେବା ଆଶା କରାଯାଏ । ଭାରତଭଳି ବିକାଶଶୀଳ ଅର୍ଥନୀତିରେ ଆମଦାନୀ ବିରୋଧୀ ନୀତି ସ୍ଥାନୀୟ ଉପଭୋକ୍ତା ବଜାରରେ କିପରି ପ୍ରଭାବ ପକାଇବ ତାହା ସମୟ କହିବ । ହିସାବ ଅନୁଯାୟୀ ଭାରତୀୟ ରପ୍ତାନୀର ୧୦.୬ ପ୍ରତିଶତ ଚୀନକୁ ଯାଉଥିବା ସ୍ଥଳେ ଚୀନର ସମୁଦାୟ ରପ୍ତାନୀ ମାତ୍ର ୨.୧ ପ୍ରତିଶତ ଭାରତକୁ ଆସିଥାଏ । ତେଣୁ ଭାବାବେଗ ଓ ବାସ୍ତବତା ମଧ୍ୟରେ ସମ୍ଭାବ୍ୟ ଦୂରତ୍ୱ ସଂଶୟ ସୃଷ୍ଟି କରେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୬ ଜୁନ ୨୦୨


ତଥ୍ୟ:



Dutta, Arnab & Viveat Susan Pinto. Ant-China wave prompts firms to tone down launches. Business Standard (Bhubaneswar Edition). June 19, 2020.


 

‘4 Cr. users may lose handsets by May – end if curbs remain’. The Times of India  (Bhubaneswar Edition) April 25, 2020.


 

Thakur, Atul. We can boycott China, but at what cost. The Times of India (Bhubaneswar Edition) June 21, 2020.

ଜାତୀୟ ମୋବାଇଲ ଫୋନ ପଞ୍ଜିକା

ଭାରତରେ ଶହେ କୋଟିରୁ ଉର୍ଦ୍ଧ୍ୱ ମୋବାଇଲ ଫୋନ ବ୍ୟବହୃତ ହେଉଥିବା ସ୍ଥଳେ କେନ୍ଦ୍ରୀୟସ୍ତରରେ ମୋବାଇଲ ଫୋନ ହେଣ୍ଡସେଟଗୁଡ଼ିକରପଞ୍ଜୀକରଣ ତଥା ଏକକ ପଞ୍ଜିକା ସୃଷ୍ଟି ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଟେଲିଯୋଗାଯୋଗ ମନ୍ତ୍ରଣାଳୟ ଅଧୀନସ୍ଥ ସ୍ୱୟଂଶାସିତ ପ୍ରତିଷ୍ଠାନ ‘ସେଣ୍ଟର ଫର ଡେଭଲାପମେଣ୍ଟ ଅଫ ଟେଲିମେଟିକ୍ସ’ ଏହି ପଞ୍ଜିକା ପ୍ରସ୍ତୁତି ଓ ପରିଚାଳନାର ଦାୟିତ୍ୱ ଗ୍ରହଣ କରିଛି । ପରିବର୍ତ୍ତିତ ପରିବେଶରେ ମୋବାଇଲ ଫୋନ ଦେଶବାସୀଙ୍କ ମଧ୍ୟରେ ଯୋଗାଯୋଗର ମୁଖ୍ୟ ମାଧ୍ୟମ ସାଙ୍ଗକୁ ବିତ୍ତୀୟ ପରିଚାଳନା, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ମନୋରଞ୍ଜନ ଇତ୍ୟାଦି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ହେତୁ ଏହାର ବ୍ୟବହାରଜନିତ ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ପ୍ରସ୍ତାବିତ ପଞ୍ଜିକା ସହାୟକ ହେବା ବିଶ୍ୱାସ କରାଯାଏ ।


 

ପ୍ରତ୍ୟେକ ମୋବାଇଲ ଫୋନ ହେଣ୍ଡସେଟରେ‘ଇଣ୍ଟରନ୍ୟାସନାଲମୋବାଇଲ ଇକ୍ୟୁପମେଣ୍ଟଆଇଡ଼େଣ୍ଟି’ ର ବ୍ୟବସ୍ଥା ଉପଲବ୍ଧ । ଫୋନର ବ୍ୟାଟେରୀ ରଖାଯାଉଥିବା ସ୍ଥାନ ତଳେ ଫୋନ ପୃଷ୍ଠରେ ପନ୍ଦର ସଂଖ୍ୟା ବିଶିଷ୍ଟ ସଂଖ୍ୟା ନିର୍ମାତାଙ୍କ ପକ୍ଷରୁ ଲିପିବଦ୍ଧ ଥାଏ । ଏହି ସୂଚକାଙ୍କ ସଂପୃକ୍ତ ଫୋନରୁ ‘#06#’କୁ ଫୋନ କରି ମଧ୍ୟ ସଂଗ୍ରହ କରାଯାଇପାରେ । ଟେଲିଯୋଗାଯୋଗ ମନ୍ତ୍ରଣାଳୟର ୨୦୦୮ ନିର୍ଦ୍ଦେଶନାମା ପ୍ରକାରେ ପ୍ରତ୍ୟେକ ହେଣ୍ଡସେଟ ନିମନ୍ତେ ମୋବାଇଲ ନେଟୱାର୍କର ସେବା ଗ୍ରହଣ କରିବା ସମୟରେ ସଂପୃକ୍ତ କମ୍ପାନୀ ଗ୍ରାହକଙ୍କ ଫୋନରେ ସିମ ଚାର୍ଜ ହେବା ପୂର୍ବରୁ ଏହି ସୂଚକାଙ୍କ ସଂଗ୍ରହ କରି ନିଜ ‘ଇକ୍ୟୁପମେଣ୍ଟଆଇଡେଣ୍ଟିରେଜିଷ୍ଟାର’ରେ ଲିପିବଦ୍ଧ କରିଥାଏ । ଏହି କ୍ରମରେ ଦେଶର ସମସ୍ତ ମୋବାଇଲ ନେଟୱାର୍କ ନିଜ ନିଜ ଗ୍ରାହକମାନଙ୍କ ତାଲିକା ଜାତୀୟ ମୋବାଇଲ ଫୋନ ପଞ୍ଜିକା ‘ସେଣ୍ଟ୍ରାଲ ଇକ୍ୟୁପମେଣ୍ଚଆଇଡ଼େଣ୍ଚିରେଜିଷ୍ଚାର’କୁ ହସ୍ତାନ୍ତର କରିବେ । ଫଳରେ ଜାତୀୟସ୍ତରରେ ଏକକ ପଞ୍ଜିକା ସୃଷ୍ଟି ସମ୍ଭବ ।


 

ଜାତୀୟ ମୋବାଇଲ ଫୋନ ପଞ୍ଜିକା ଉପଯୋଗରେ ଚୋରି ହୋଇଥିବା ତଥା ବେନିୟମ କାର୍ଯ୍ୟକଳାପରେ ଲିପ୍ତ ହେଣ୍ଡସେଟଗୁଡ଼ିକୁ ଚ଼ିହ୍ନଟ କରି ସେଗୁଡ଼ିକରେ ସିମ ବ୍ୟବହାର ଅଚଳ କରିବା ସୁବିଧା ମିଳିପାରିବ । ପୂର୍ବରୁ ନିର୍ଦ୍ଦିଷ୍ଟ ହେଣ୍ଡସେଟ ବିରୋଧରେ ଉପଭୋକ୍ତା କିମ୍ୱା ପ୍ରଶାସନର ନିବେଦନରେ ଟେଲିଫୋନ ନେଟୱାର୍କସିମକୁ ଅଚଳ କରି ସଂପୃକ୍ତ ଫୋନ ମାଧ୍ୟମରେ ଯୋଗାଯୋଗ ବିଛିନ୍ନ କରିପାରୁଥିଲେ । ତେବେ ବ୍ୟବହାରକାରୀ ଗୋଟିଏ ନେଟୱାର୍କର ସିମ ବଦଳରେ ଅନ୍ୟ ଏକ ନେଟୱାର୍କର ସିମ ବ୍ୟବହାର କରି ପୁଣି ସେହି ହେଣ୍ଡସେଟରେସେବା ଗ୍ରହଣ କରିପାରୁଥିଲା । ଜାତୀୟ ମୋବାଇଲ ଫୋନ ପଞ୍ଜିକା ସୃଷ୍ଟିପରେ ଏକ ଥରକେ ସମସ୍ତ ନେଟୱାର୍କରେ ସଂପୃକ୍ତ ଫୋନ ହେଣ୍ଡସେଟର ବ୍ୟବହାର ବନ୍ଦ କରାଯାଇ ପାରୁଛି ।


 

ଜାତୀୟ ମୋବାଇଲ ଫୋନ ପଞ୍ଜିକାରେ ଟେଲିଫୋନ ସେବା ବନ୍ଦ କରାଯାଇଥିବା ମୋବାଇଲ ହେଣ୍ଡସେଟର ‘ଇଣ୍ଟରନେସନାଲ ମୋବାଇଲ ଇକ୍ୟୁପମେଣ୍ଟଆଇଡ଼େଣ୍ଟି’ ସୂଚ଼କାଙ୍କ ସହ କେଉଁ କାରଣରୁ ବ୍ଳାକଲିଷ୍ଟ କରାଯାଇଛି ତାହା ମଧ୍ୟ ଲିପିବଦ୍ଧ ରହିବ । ଫଳରେ ସୁରକ୍ଷାକର୍ମୀମାନେ ସହଜରେ ମୋବାଇଲ ଫୋନ ବ୍ୟବହାରରେ ଅପରାଧିକ କାର୍ଯ୍ୟ ତଦନ୍ତରେ ସହଯୋଗ ପାଇପାରିବେ । ଏତଦ୍ ବ୍ୟତୀତ ସେବା ପ୍ରଦାନକାରୀ ମୋବାଇଲ ନେଟୱାର୍କସିମବ୍ଳକ କରିବା ସୁଯୋଗ ଉପଭୋଗ କରୁଥିବା ସ୍ଥଳେ ଏଣିକି ଜାତୀୟ ପଞ୍ଜିକା ମାଧ୍ୟମରେ ନିର୍ଦ୍ଦିଷ୍ଟ ହେଣ୍ଡସେଟକୁ ମଧ୍ୟ ବ୍ଳକ କରିବା ସମ୍ଭବପର । ଏଥି ନିମନ୍ତେ ଟେଲିକମ୍ୟୁନିକେସନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୭ ପରଠାରୁ ସମସ୍ତ ନେଟୱାର୍କ ସହ ଏକ ସଂକଳ୍ପ ସ୍ୱାକ୍ଷରିତ ହୋଇଛି ।


 

ଜାତୀୟ ମୋବାଇଲ ଫୋନ ପଞ୍ଜିକା ପ୍ରସ୍ତୁତି ନିମନ୍ତେ ଦୀର୍ଘ ଦିନରୁ ଉଦ୍ୟମ ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ଜାତୀୟ ଟେଲକମ ନୀତି ୨୦୧୨ରେ ଏଭଳି ପଞ୍ଜିକା ବ୍ୟବସ୍ଥାର ପ୍ରଚଳନ ନିମନ୍ତେ ନୀତି ନିର୍ଦ୍ଧାରଣ କରାଯାଇଥିଲା । ‘ଗ୍ଳୋବାଲ ସିଷ୍ଟମ ଫର ମୋବାଇଲ କମ୍ୟୁନିକେସନସଏସୋସିଏସେନ’ର ସଦସ୍ୟଭୁକ୍ତ ବିଶ୍ୱର ପ୍ରତ୍ୟେକ ମୋବାଇଲ ତଥା ଅନ୍ୟାନ୍ୟ ମୋବାଇଲ ବ୍ରଡ଼ବେଣ୍ଡ ଯନ୍ତ୍ରପାତି ନିର୍ମାତାନିଜ ଉତ୍ପାଦିତ ଫୋନ ହେଣ୍ଡସେଟଗୁଡ଼ିକରେ‘ଇଣ୍ଟରନ୍ୟାସନାଲ ମୋବାଇଲ ଇକ୍ୟୁପମେଣ୍ଟଆଇଡ଼େଣ୍ଟି’ ଲିପବଦ୍ଧ କରିଥାନ୍ତି । ଆନ୍ତର୍ଜାତିକ କ୍ଷେତ୍ରରେ ମୋବାଇଲ ହେଣ୍ଡସେଟ ପ୍ରସ୍ତୁତି କ୍ଷେତ୍ରରେ ବୈଧତା ଏହି ସୂଚକାଙ୍କ ଦ୍ୱାରା ପ୍ରମାଣିତ ହୋଇଥାଏ . ସରକାରୀ ରପ୍ତାନୀ ଓ ଆମଦାନୀ ଶୁକ୍ଳ ଇତ୍ୟାଦି ଏହି ସୂଚ଼କାଙ୍କ ଆଧାରରେ ପରିଚାଳନା କରାଯାଏ ।


 

‘ଗ୍ଳୋବାଲ ସିଷ୍ଟମ ଫର ମୋବାଇଲ କମ୍ୟୁନିକେସନ ଏସୋସିଏସନ‘ ପକ୍ଷରୁ ପ୍ରତ୍ୟେକ ସଦସ୍ୟଭୁକ୍ତ ମୋବାଇଲ ହେଣ୍ଡସେଟ ନିର୍ମାତାଙ୍କୁ ଏକ ନିର୍ଦ୍ଧିଷ୍ଟ ପରିମାଣର ସୂଚ଼କାଙ୍କ ବ୍ୟବହାର ପାଇଁ ଦିଆଯାଏ । ନିର୍ମାତାମାନେ ସେହି ତାଲିକାରୁ ନମ୍ୱର ନିଜ ଉତ୍ପାଦଗୁଡ଼ିକରେ ଲିପିବଦ୍ଧ କରନ୍ତି । ଯେଉଁ ମୋବାଇଲ ହେଣ୍ଡସେଟଗୁଡ଼ିକରେ ଦୁଇଗୋଟି ସିମ ବ୍ୟବହାରର ସୁବିଧା ଥାଏ, ସେଥିରେ ଦୁଇଗୋଟି ସୂଚକାଙ୍କ ଦିଆଯାଏ । ଏହି କ୍ରମରେ ପ୍ରତ୍ୟେକ ମୋବାଇଲ ଫୋନ ହେଣ୍ଡସେଟ ଆନ୍ତର୍ଜାତିକସ୍ତରରେ ଗୋଟିଏ ମାତ୍ର ସୂଚକାଙ୍କ ଅଧିକାରୀ । ମୋବାଇଲ ଫୋନ ହେଣ୍ଡସେଟ ଓ ମୋବାଇଲ ଫୋନ ବ୍ୟବହାରକାରୀଙ୍କୁ ଚ଼ିହ୍ନଟ କରିବାରେ ଏହି ସୂଚକାଙ୍କ ସହାୟକ ହୋଇଥାଏ ।


 

ଦୈନନ୍ଦିନ ଯୋଗାଯୋଗ କ୍ଷେତ୍ରରେ ମୋବାଇଲ ଫୋନ ବହୁଳ ବ୍ୟବହାର ହେଉଥିବା ଯୋଗୁଁ ବିଭିନ୍ନ ଅପରାଧିକ କାର୍ଯ୍ୟ ମଧ୍ୟ ମୋବାଇଲ ଫୋନ ମାଧ୍ୟମରେ ସାଧିତ ହୋଇଥାଏ । ପ୍ରତ୍ୟେକ ମୋବାଇଲ ଫୋନ ସିମ ଆଧାରରେ ଏହାର ବ୍ୟବହାରକାରୀଙ୍କ ସଂପର୍କରେ ସବିଶେଷ ତଥ୍ୟ ନେଟୱାର୍କ ସେବା ପ୍ରଦାନକାରୀ କମ୍ପାନୀଙ୍କଠାରେ ଗଚ୍ଛିତ ରହୁଥିବା ସ୍ଥଳେ ତାହା ଜାତୀୟ ମୋବାଇଲ ଫୋନ ପଞ୍ଜିକାକୁ ସ୍ଥାନାନ୍ତରିତ ହୋଇଛି । ସେହିପରି ପ୍ରତ୍ୟେକ ଉପଭୋକ୍ତା ବ୍ୟବହାର କରୁଥିବା ହେଣ୍ଡସେଟଗୁଡ଼ିକୁ ଚ଼ିହ୍ନଟ କରାଯାଇ ଏକ ଜାତୀୟ ଡ଼ାଟାବେସ ସୃଷ୍ଟି କରାଯାଇଛି ।


 

ଅପରାଧିକ କାର୍ଯ୍ୟ ରୋକିବା ନିମନ୍ତେ ତୁରନ୍ତ କୌଣସି ହେଣ୍ଡସେଟରେ ସେବା ବାରଣ କରିବା ସହ ହେଣ୍ଡସେଟର ଭୌଗଳିକ ଉପସ୍ଥିତି ଖୋଜି ବାହାର କରିବା ନୂତନ ବ୍ୟବସ୍ଥାରେ ସହଜପ୍ରଦ ହୋଇପାରିଛି । କେତେକ କ୍ଷେତ୍ରରେ ଅପରାଧିମାନେ ନକଲି ‘ଇଣ୍ଟରନ୍ୟାସନାଲ ମୋବାଇଲ ଇକ୍ୟୁପମେଣ୍ଟଆଇଡ଼େଣ୍ଟି’ ସୂଚକାଙ୍କ ବ୍ୟବହାର କରୁଥିବା ଦେଖାଯାଏ । ତେବେ ଏକ ଜାତୀୟ ପଞ୍ଜିକା ପ୍ରସ୍ତୁତିପରେ ପ୍ରତ୍ୟେକ ସୂଚକାଙ୍କର ବୈଧତା ନିର୍ଦ୍ଧାରଣ ସମ୍ଭବପର । କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୭ରେ ପ୍ରଣୀତ ନିୟମାନୁଯାୟୀ ନକଲି ସୂଚକାଙ୍କ ବିଶିଷ୍ଟ ମୋବାଇଲହେଣ୍ଡସେଟ ବ୍ୟବହାରକାରୀଙ୍କୁ ଦଣ୍ଡବିଧାନର ପ୍ରାବଧାନ ରହିଛି ।


 

ଜାତୀୟ ମୋବାଇଲ ଫୋନ ପଞ୍ଜିକା ପ୍ରସ୍ତୁତି ଓ ପରିଚାଳନା କାହା ଦାୟିତ୍ଵରେ  ରହିବା ଉଚିତ ଏ ସଂପର୍କରେ ୨୦୧୦ରୁ ବିତର୍କ ଆରମ୍ଭ ହୋଇଥିଲା । ମୋବାଇଲ ନେଟୱର୍କ ସେବା ପ୍ରଦାନକାରୀ କମ୍ପାନୀମାନେ ସରକାର ଓ ବ୍ୟାବସାୟିକ ସଂଗଠନ ଭିନ୍ନ ତୃତୀୟପକ୍ଷକୁ ଏଭଳି ଦାୟିତ୍ୱ ଅର୍ପଣ ସପକ୍ଷରେ ଯୁକ୍ତିବାଢ଼ିଥିଲେ ।ସ୍ୱୟଂଶାସିତ‘ସେଣ୍ଟର ଫର ଡ଼େଭଲାପମେଣ୍ଟ ଅଫ ଟେଲିମେଟିକ୍ସ’କୁ ଏହି କାର୍ଯ୍ୟଭାର ସମ୍ଭାଳିବା ନିମନ୍ତେ ଚୟନକୁ ବିଭିନ୍ନ କ୍ଷେତ୍ରରେ ସ୍ୱାଗତ କରାଯାଇଛି । ବର୍ଦ୍ଧିତ ମୋବାଇଲ ଫୋନ ସାନ୍ଦ୍ରତା ତଥା ତତ୍ଜନିତ ଉପଭୋକ୍ତା, ସେବାପ୍ରଦାନକାରୀ ଓ ନିୟମାକଙ୍କ ସ୍ୱାର୍ଥରକ୍ଷାରେ ଜାତୀୟ ମୋବାଇଲ ପଞ୍ଜିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆଶା କରାଯାଏ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅଗଷ୍ଟ ୨୦୧୯


ତଥ୍ୟ:



George, P.H. Registry for phones. The Hindu (Cuttack Edition). July 14, 2019

ମୋବାଇଲ ଆପ୍ଳିକେସନ

ଆନ୍ତର୍ଜାତିକସ୍ତରରେ ସ୍ମାର୍ଟଫୋନରେ ମୋବାଇଲ ଆପ୍ଲିକେସନ ବା 'ଆପ' ବ୍ୟବହାରକ୍ଷେତ୍ରରେ ଭାରତ ପଞ୍ଚମ ସ୍ଥାନ ଅଧିକାର କରିଛି । ମୋବାଇଲ ଆପ୍ଲିକେସନ ଅନୁଶୀଳନ ସଂସ୍ଥା ଯୁକ୍ତରାଷ୍ଟ୍ର ଆମେରିକାର 'ଆପ ଆନି' ପକ୍ଷରୁ ୨୦୧୭ ମେ' ମାସରେ ଆୟୋଜିତ ଅନୁଧ୍ୟାନରେ ଏଣ୍ଡ୍ରୋଏଡ଼ ସ୍ମାର୍ଟଫୋନରେ ଭାରତୀୟ ଉପଭୋକ୍ତାମାନେ ଦୈନିକ ହାରାହାରି ପ୍ରାୟ ୪ ଘଣ୍ଟା 'ଆପ' ବ୍ୟବହାର କରୁଥିବା ଜଣାଯାଇଥିଲା । ଅନ୍ୟ ଅଗ୍ରଣୀ ରାଷ୍ଟ୍ରଙ୍କ ମଧ୍ୟରେ ଦକ୍ଷିଣ କୋରିଆ, ମେକ୍ସିକୋ, ବ୍ରାଜିଲ ଓ ଜାପାନର ଉପଭୋକ୍ତାମାନେ ଦୈନିକ ହାରାହାରି ୫ ଘଣ୍ଟା ଯାଏଁ 'ଆପ' ବ୍ୟବହାର କରିଥାନ୍ତି । ଅବଶ୍ୟ ଏହି ସମସ୍ତ ରାଷ୍ଟ୍ରରେ ସର୍ବାଧିକ ସମୟ ମୋବାଇଲ ଫୋନରେ 'ଆପ' ବ୍ୟବହାରରେ ବିତାଉଥିବା ଶୀର୍ଷ ୨୦ ପ୍ରତିଶତ ଉପଭୋକ୍ତାଙ୍କ ଅନଲାଇନ ଗତିବିଧିକୁ ବିଚ଼ାରକୁ ନେଇ ଏହି ଗଣତି କରାଯାଇଥିଲା ।


 

ସ୍ମାର୍ଟଫୋନ ବ୍ୟବହାର ସମୟସୀମାକୁ ନେଇ ଉପଭୋକ୍ତାମାନଙ୍କୁ ବର୍ଗୀକରଣ କରାଯାଇଥାଏ । କେତେକ ସ୍ମାର୍ଟଫୋନ ବ୍ୟବହାରରେ ଦୀର୍ଘ ସମୟ ବିନିଯୋଗ କରୁଥିବା ସ୍ଥଳେ ଅନ୍ୟ କେତେକ ଅପେକ୍ଷାକୃତ କମ ସମୟ ବିନିଯୋଗ କରିଥାନ୍ତି । ଭାରତରେ ଏଣ୍ଡ୍ରୋଏଡ଼ ସ୍ମାର୍ଟଫୋନ ଉପଭୋକ୍ତାମାନେ ସାମଗ୍ରୀକଭାବେ ହାରାହାରି ଦୈନିକ ୨ ଘଣ୍ଟା ୩୦ ମିନଟ 'ଆପ' ବ୍ୟବହାର କରୁଥିବା ସ୍ଥଳେ ସର୍ବନିମ୍ନସ୍ତରର ଉପଭୋକ୍ତାମାନେ ଅତିକମରେ ଦୈନିକ ଏକ ଘଣ୍ଟା ୫୦ ମିନଟ ଯାଏଁ 'ଆପ' ବ୍ୟବହାର କରିଥାନ୍ତି ।


 

ଏହି ଗବେଷଣା ପାଇଁ ଆଣ୍ଡ୍ରୋଏଡ଼ ସ୍ମାର୍ଟଫୋନ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ୧୦ ଗୋଟି ରାଷ୍ଟ୍ରରେ ସର୍ଭେ କରାଯାଇଥିଲା । ସ୍ମାର୍ଟଫୋନରେ 'ଆପ' ବ୍ୟବହାର କ୍ରମଶଃ ଅଧିକରୁ ଅଧିକ ସମୟ ଦାବୀ କରୁଥିବାସ୍ଥଳେ ମୁଖ୍ୟତଃ ସପିଙ୍ଗ, ଟ୍ରାଭେଲ ଓ ଗେମ 'ଆପ'ଗୁଡ଼ିକ ବହୁଳମାତ୍ରାରେ ବ୍ୟବହୃତ ହେଉଥିବା ଜଣାଯାଇଥିଲା । ଭାରତରେ ଜଣେ ଉପଭୋକ୍ତା ମାସିକ ୯୦ ମିନଟ ସପିଙ୍ଗ, ୩୦ ମିନଟ ଫାଇନାନ୍ସ ଓ ଘଣ୍ଟାଏ ଗେମିଂ  'ଆପ'ରେ ସମୟ ବିନିଯୋଗ କରୁଥିବା ହିସାବ କରାଯାଇଛି ।


 

ଭାରତୀୟ 'ଆପ' ବଜାରରେ କ୍ରମଶଃ ଚ଼ୀନ ନିର୍ମିତ 'ଆପ'ଗୁଡ଼ିକର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଜେଣ୍ଡର, ସେୟର-ଇଟ, ୟୁସି-ବ୍ରାଉଜର, ୟୁସି-ନିଉଜ ଓ କ୍ଳିନମାଷ୍ଟର ଭଳି 'ଆପ'ଗୁଡ଼ିକ କମ ଦାମର ଚ଼ୀନ ନିର୍ମିତ ସ୍ମାର୍ଟଫୋନଗୁଡ଼ିକରେ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ଦେଖିବାକୁ ମିଳୁଛି । ୟୁସି-ବ୍ରାଉଜର ଆଲିବାବା ଗୃପ, ସେୟର-ଇଟ ଲେନୋଭୋ ଗୃପ ଓ କ୍ଳିନମାଷ୍ଟର ଚିତାହା ମୋବାଇଲ ଗୃପ ଦ୍ୱାରା ପ୍ରଯୋଜିତ ।


 

କୁହାଯାଏ ଯେ ଚ଼ୀନରେ ମୋବାଇଲଲ ଇଣ୍ଟରନେଟ ବେଗ, ଉପଭୋକ୍ତାଙ୍କ ସଂଖ୍ୟା ଓ 'ଆପ' ବ୍ୟବହାର କ୍ଷେତ୍ରରେ ଭାରତଠାରୁ ପାଞ୍ଚବର୍ଷ ଆଗୁଆ ରହିଛି । ଏହି କାରଣରୁ 'ଆପ' ନିର୍ମାଣ ଓ ବ୍ୟବହାର ବୈଷୟିକ କୌଶଳ ଉପଯୋଗରେ ସେମାନେ ପାରଦର୍ଶିତା ଲାଭ କରିପାରିଛନ୍ତି । ଭାରତର ଛୋଟ ସହର ଓ ଗ୍ରାମାଞ୍ଚଳରେ ସ୍ମାର୍ଟଫୋନ ବ୍ୟବହାର କ୍ରମଶଃ ଲୋକପ୍ରିୟ ହୋଇଚ଼ାଲିଥିବା ଅବସରରେ ଚ଼ୀନ ନିର୍ମିତ 'ଆପ'ଗୁଡ଼ିକ ଅପେକ୍ଷାକୃତ କମ ଶିକ୍ଷିତଙ୍କ ରୁଚ଼ିକୁ ସୁହାଉଥିବା ଲକ୍ଷ୍ୟ କରାଯାଉଛି ।


 

ଗଣମାଧ୍ୟମ ସମୀକ୍ଷକଙ୍କ ମତରେ ଭାରତୀୟ ବଜାରରେ 'ଆପ'ଗୁଡ଼ିକ ମୁଖ୍ୟତଃ ବିନାମୂଲ୍ୟରେ ବିତରିତ ହେଉଥିବା ତଥା ରାଜସ୍ୱ ନିମନ୍ତେ ବିଜ୍ଞାପନ ଉପରେ ନିର୍ଭରଶୀଳ ରହୁଥିବା ପରିପ୍ରେକ୍ଷୀରେ ନୂଆ 'ଆପ' ପ୍ରଚଳନ ତୁରନ୍ତ ବ୍ୟାବସାୟିକ ସଫଳତା ଆଣିବା ସଂଭବପର ନୁହଁ । ଆନ୍ତର୍ଜାତିକ ବଜାର ସମତାଳରେ ଗୁଗୁଲ ହିଁ ଭାରତୀୟ ଅନଲାଇନ ବିଜ୍ଞାପନ ରାଜସ୍ୱର ସିଂହଭାଗ ଦାବୀ କରିଥାଏ । ତା' ପରକୁ ବହୁ ପଛରେ ଫେସବୁକର ସ୍ଥାନ । ତେଣୁ ଅନ୍ୟାନ୍ୟ 'ଆପ'ଗୁଡ଼ିକ ଅନଲାଇନ ବିଜ୍ଞାପନ ପରିଧିରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିପାରେ । କୌଣସି 'ଆପ' ଅତିକମରେ ମାସିକ ପାଞ୍ଚ କୋଟି ଉପଭୋକ୍ତାଙ୍କ ଦ୍ୱାରା ବ୍ୟବହୃତ ନ ହୋଇ ପାରିଲେ ପର୍ଯ୍ୟାପ୍ତ ଅନଲାଇନ ବିଜ୍ଞାପନ ପାଇବା ନିମନ୍ତେ ଯୋଗ୍ୟ ବିବେଚ଼ିତ ହୋଇପାରି ନଥାଏ । ତେବେ ଭବିଷ୍ୟତରେ ଅଭିବୃଦ୍ଧିକୁ ଲକ୍ଷ୍ୟରେ ରଖି ଚ଼ୀନ ବ୍ୟବସାୟୀମାନେ ଭାରତୀୟ 'ଆପ' ବଜାରକୁ ସମୃଦ୍ଧ କରିବାରେ ଲାଗିପଡ଼ିଛନ୍ତି ।


 

ଭାରତୀୟ ଆଞ୍ଚଳିକ ଭାଷାଭିତ୍ତିକ 'ଆପ' ବ୍ୟବହାରରେ ପର୍ଯ୍ୟାପ୍ତ ସୁଯୋଗ ରହିଥିଲେ ହେଁ 'ଆପ' ବିକ୍ରିରେ ଆଶା ନଥିବା, ବିଜ୍ଞାପନ ରାଜସ୍ୱ ନିମନ୍ତେ ବିସ୍ତୃତ ଉପଭୋକ୍ତା ମଣ୍ଡଳୀ ଗଠନ ତଥା ବ୍ୟାବସାୟିକ ସଫଳତା ଲାଗି ଦୀର୍ଘ ଅବଧି ଅପେକ୍ଷା ଏଦିଗରେ ବିନିଯୋଗ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିପାରୁ ନାହିଁ । 'ଆପ' ବଜାରରେ ଓଡ଼ିଆ ଭାଷାରେ ସୁଯୋଗ ସୁବିଧା ଏହି ସବୁ କାରଣରୁ ସୀମିତ ଥିବା ଅନୁଭବ କରାଯାଇପାରେ । ରାଜ୍ୟର ସ୍ମାର୍ଟଫୋନ ଉପଭୋକ୍ତା ସଂଖ୍ୟା କୋଟିଏ ଛୁଇଁଥିଲେ ହେଁ ସରକାରୀ ଓ ବ୍ୟାବସାୟିକ 'ଆପ' ବ୍ୟବହାର ବ୍ୟତୀତ ଓଡ଼ିଆ ଭାଷାରେ ଅନ୍ତତଃ ବର୍ତ୍ତମାନ ନିମନ୍ତେ ଅନ୍ୟାନ୍ୟ ବର୍ଗର 'ଆପ' ସଂପ୍ରସାରଣ ସଂଭବପର ହୋଇପାରୁ ନାହିଁ ।


 

ଗଣମାଧ୍ୟମର ବିଭିନ୍ନ ବିଭବ, ଯଥା : ପୁସ୍ତକ, ନିଉଜ ସାଇଟ୍, ରେଡ଼ିଓ, ଟେଲିଭିଜନ ଓ ଚଳଚ଼ିତ୍ର ଇତ୍ୟାଦି କ୍ଷେତ୍ରରେ ମୋବାଇଲ 'ଆପ' ବ୍ୟବହାର ଏକ ନୂତନ ସମୀକରଣ ସୃଷ୍ଟି କରିବ । ମୋବାଇଲ ଫୋନ ପର୍ଦ୍ଦା ସାମଗ୍ରୀକଭାବେ ସମସ୍ତ ଗଣମାଧ୍ୟମ ବ୍ୟବହାରର କେନ୍ଦ୍ରସ୍ଥଳ ପାଲଟୁଥିବା ଅବସରରେ ଭବିଷ୍ୟତରେ ଏହାର ବ୍ୟାପକ ପ୍ରସାର ଆଶା କରାଯାଇପାରେ । ସ୍ମାର୍ଟଫୋନର ବ୍ୟବହାର ବୃଦ୍ଧି 'ଆପ' ଉପଭୋକ୍ତା ବୃଦ୍ଧିରେ ସହାୟକ ହେବା ସଙ୍ଗେ 'ଆପ'ଭିତ୍ତିକ ରାଜସ୍ୱ ବୃଦ୍ଧିରେ ପର୍ଯ୍ୟବେସିତ ହେବା ସ୍ୱାଭାବିକ ।


 

ଆନ୍ତର୍ଜାତିକସ୍ତରରେ ୨୦୧୬ ମସିହାରେ ପ୍ରାୟ ନଅ ହଜାର କୋଟି 'ଆପ' ସ୍ମାର୍ଟଫୋନରେ ଡ଼ାଉନଲୋଡ଼ ହୋଇଥିବା ହିସାବ କରାଯାଇଥିଲା । ୨୦୧୫ ମସିହା ତୁଳନାରେ ଏହା ୧୫ ପ୍ରତିଶତ ଅଧିକା । ଚ଼ୀନ ଓ ଯୁକ୍ତରାଷ୍ଟ୍ର ଆମେରିକା 'ଆପ' ବ୍ୟବହାରରେ ଆଗୁଆ ରହିଥିବା ସ୍ଥଳେ ୨୦୨୧ ମସିହା ସୁଦ୍ଧା ଇଣ୍ଡୋନଏସିଆ, ବ୍ରାଜିଲ ଓ ଭାରତ ଅନ୍ୟତମ ବହୁଳ 'ଆପ' ବ୍ୟବହାରକାରୀ ରାଷ୍ଟ୍ରରୂପେ ପ୍ରତିଷ୍ଠିତ ହେବେ । ଭାରତରେ ଆଗାମୀ ଚ଼ାରିବର୍ଷ ମଧ୍ୟରେ ବାର୍ଷିକ 'ଆପ' ଡ଼ାଉନଲୋଡ଼ ସଂଖ୍ୟା ଦୁଇ ହଜାର ତିନିଶହ କୋଟିକୁ ଟପିବ ବୋଲି 'ଆପ ଆନି' ପକ୍ଷରୁ ପୁର୍ବାନୁମାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମେସେଜିଂ ଓ ଗେମିଂ 'ଆପ'ର ପ୍ରାଧାନ୍ୟ ଅନୁଭୂତ ହେଉଥିବା ସ୍ଥଳେ କ୍ରମଶଃ ବିଭିନ୍ନ କ୍ଷେତ୍ରରେ 'ଆପ'ର ବ୍ୟବହାର ସଂପ୍ରସାରିତ ହେବା ଅବଶ୍ୟମ୍ଭାବୀ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ନଭେମ୍ୱର ୨୦୧


ତଥ୍ୟ:



<https://www.appannie.com/en/academy/>

ମୋବାଇଲ, ଭିଡ଼ିଓ ଓ ଭାରତୀୟ ଭାଷା

ଗଣମାଧ୍ୟମ ପରିବେଶରେ ଇଣ୍ଟରନେଟ କ୍ରମଶଃ ପ୍ରାଧାନ୍ୟ ବିସ୍ତାର କରିଚାଲିଥିବା ଅବସରରେ ଭାରତରେ ଏହାର ବ୍ୟବହାର ଆନ୍ତର୍ଜାତିକ ପ୍ରବାହଠାରୁ ଭିନ୍ନ ଦିଗରେ ଗତି କରୁଥିବା କୁହାଯାଉଛି । ଦେଶର ସହରାଞ୍ଚଳରେ ଶିକ୍ଷାଗତ ଦୃଷ୍ଟିରୁ ଅନଗ୍ରସର ଏବଂ ଗ୍ରାମାଞ୍ଚଳରେ ସ୍ମାର୍ଟଫୋନ ବ୍ୟବହାର କ୍ରମାଗତ ବୃଦ୍ଧି ଏବଂ ଦୈନିକଭିତ୍ତିରେ ଉପଭୋକ୍ତାଙ୍କ ଦୀର୍ଘ ସମୟ ମୋବାଇଲ ପର୍ଦ୍ଦାରେ ଉପସ୍ଥିତି ଗୁରୁତ୍ୱ ବହନ କରିଥାଏ । ବାଙ୍ଗାଲୋରସ୍ଥିତ ଇଞ୍ଜିନିୟରିଂ ଓ ଡିଜିଟାଲ ବ୍ୟାବସାୟିକ ପରାମର୍ଶଦାତା ‘ଜିନୋର’ ପକ୍ଷରୁ ୨୦୧୯ ଅକ୍ଟୋବର ପହିଲାରେ ପ୍ରକାଶିତ ‘ଦି ଫିଉଚ଼ର ଅଫ ଇଣ୍ଟରନେଟ କଣ୍ଟେଣ୍ଟକନଜମ୍ପସନଇନ ଇଣ୍ଡିଆ –ଫ୍ରିକସନଲେସକନଜ୍ୟୁମରଏକ୍ସପିରିଆନ୍ସ ଫର ମୋବାଇଲ –ଓନଲି ଇଣ୍ଡିଆ ଏଣ୍ଡ ଭାରତ’ରେ ଦେଶରେ ଇଣ୍ଟରନେଟ ବ୍ୟବହାର ଶୈଳୀରେ ମୌଳିକତା ସଂପର୍କରେ ଆଲୋକପାତ କରାଯାଇଛି ।


 

ହିସାବ ଅନୁଯାୟୀ ୨୦୧୯ ସୁଦ୍ଧା ଭାରତରେ ୪ଜି ମୋବାଇଲ ନେଟୱାର୍କ ଉପଭୋକ୍ତାଙ୍କ ସଂଖ୍ୟା ୬୦ କୋଟି ଛୁଉଁଥିବା ସ୍ଥଳେ ୨୦୨୨ ସୁଦ୍ଧା ୯୦ କୋଟିରେ ପହଞ୍ଚିବା ଆକଳନ ହୋଇଥାଏ । ଏହି ସମୟସୀମାରେ ୨୦୨୦ ମଧ୍ୟଭାଗରେ ୫ଜି ବୈଷୟିକ କୌଶଳ ପ୍ରବେଶ କରିବ । ୫ଜିର ବ୍ୟାପ୍ତି ଓ ବ୍ୟବହାର ସମୟସାପେକ୍ଷବୋଲି ବିଚାର କରାଯାଇଥିଲେହେଁ ଟେଲି-ଯୋଗାଯୋଗ କ୍ଷେତ୍ରରେ ଉନ୍ନତ ବୈଷୟିକ କୌଶଳ ବ୍ୟବହାର ପାରିପାର୍ଶ୍ୱିକ ପରିବେଶରେ ସୁଦୂର ପ୍ରସାରୀ ପ୍ରଭାବ ଅନୁଭୂତ ହେବା ସ୍ୱାଭାବିକ ।


 

‘ଜିନୋର’ ରିପୋର୍ଟରେ ଭାରତର ଇଣ୍ଟରନେଟ ବ୍ୟବହାରରେ ତିନିଗୋଟି ମୁଖ୍ୟ ଧାରା, ପ୍ରଥମତଃ ମୋବାଇଲଭିତ୍ତିକ‘ମୋବାଇଲ-ଫାଷ୍ଟ’କଣ୍ଟେଣ୍ଟ, ଦ୍ୱିତୀୟତଃ ଭିଡ଼ିଓ ପ୍ରାଧାନ୍ୟ ଏବଂ ତୃତୀୟତଃ ଭାରତୀୟ ଭାଷା ସମୂହ ବ୍ୟବହାର ସ୍ଵତନ୍ତ୍ରତା ଦାବୀ କରିଥାଏ । ବିଶ୍ୱବ୍ୟାପୀ ଇଣ୍ଟରନେଟ ସଂଯୁକ୍ତିରେ ମୁଖ୍ୟତଃ ଡ଼େସ୍କଟପ କମ୍ପ୍ୟୁଟର ଓ ଲ୍ୟାପଟପ ବ୍ୟବହୃତ ହେଉଥିବା ସ୍ଥଳେ ଭାରତରେ ସ୍ମାର୍ଟଫୋନ ବ୍ୟବହାର ଅଧିକ । ମଧ୍ୟମବର୍ଗର ସହରାଞ୍ଚଳରେ ୮୧ ପ୍ରତିଶତ ଏବଂ କ୍ଷୁଦ୍ରବର୍ଗର ସହରାଞ୍ଚଳରେ ୮୦ ପ୍ରତିଶତ ଉପଭୋକ୍ତା ମୋବାଇଲ ବ୍ୟବହାରରେ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ଉପସ୍ଥିତ ହୋଇଥାନ୍ତି ।


 

‘ଜିନୋର’ ସର୍ବେକ୍ଷଣରେ ଦେଶବ୍ୟାପୀ ପାଞ୍ଚଶହ ସ୍ମାର୍ଟଫୋନ ଉପଭୋକ୍ତାଙ୍କ ଦୈନନ୍ଦିନ ବ୍ୟବହାର ସଂପର୍କରେ ବିସ୍ତୃତ ବିବରଣୀ ସଂଗୃହୀତ ହୋଇଥିଲା । ସେଥିରୁ ଜଣାଯାଏ ଯେ ୬୮ ପ୍ରତିଶତ ଇଣ୍ଟରନେଟ ଉପଭୋକ୍ତା କୌଣସି ବିଷୟରେ ଅବଗତ ହେବା ନିମନ୍ତେ ପାଠ୍ୟ ବଦଳରେ ଚ଼ିତ୍ର‘ଭିଡ଼ିଓ’ ପସନ୍ଦ କରିଥାନ୍ତି । ସେହିପରି ଇଂଲିଶ ବା ହିନ୍ଦି ବଦଳରେ ୭୦ ପ୍ରତିଶତ ଉପଭୋକ୍ତା ଆଞ୍ଚଳିକ ଭାଷାଗୁଡ଼ିକରେ ପାଠ୍ୟ ଓ ଭିଡ଼ିଓ ପଢ଼ିବା ଓ ଦେଖିବା ନିମନ୍ତେ ଆଗ୍ରହୀ ।


 

ମୋବାଇଲ ଇଣ୍ଟରନେଟ ଲୋକପ୍ରିୟତାର ଅନ୍ୟ ଏକ ପରିସଂଖ୍ୟାନରେ ୮୦ ପ୍ରତିଶତ ଉପଭୋକ୍ତା ପ୍ରତ୍ୟେହ ପ୍ରଭାତରେ ଶଯ୍ୟାତ୍ୟାଗ କରିବା ପରେ ପ୍ରଥମେ ସ୍ମାର୍ଟଫୋନରେନୋଟିଫିକେସନ ତନଖି କରୁଥିବା ସ୍ୱୀକାର କରିଥିବା ଜଣାଯାଏ । ଏହି ଉଦାହରଣରୁ ସାଧାରଣ ଜନଜୀବନରେ ମୋବାଇଲ ପର୍ଦ୍ଦାର ଗଭୀର ସଂପୃକ୍ତି ପ୍ରମାଣିତ । ୨୦୧୭ ଓ ୧୮ ଦୁଇ ବର୍ଷ ମଧ୍ୟରେ ଭିଡ଼ିଓ ମଞ୍ଚ ‘ୟୁ-ଟ୍ୟୁବ’ ଓ ‘ଟିକଟକ’ରେ ଭାରତୀୟ ଭାଷା ସମୂହର ବ୍ୟବହାର ଲୋକପ୍ରିୟତା ବହୁ ଗୁଣରେ ବୃଦ୍ଧି ପାଇବାର ମୁଖ୍ୟକାରଣ ରୂପେ ଚ଼ିହ୍ନଟ କରାଯାଏ । ସେହିପରି ‘ହେଲୋ’ ଓ ‘ଗ୍ଳେନ୍ସ’ଆପଗୁଡ଼ିକରେ ସ୍ଥାନୀୟ ଭିଡ଼ିଓ ଓ ଭାଷା ସମୂହକୁ ପ୍ରାଧାନ୍ୟ ଦେଉଥିବା ହେତୁ ବ୍ୟାପକ ଉପଭୋକ୍ତା ସୃଷ୍ଟି ଆଶା କରାଯାଏ ।


 

ମୋବାଇଲ ପର୍ଦ୍ଦାରେ ଭିଡ଼ିଓ ପ୍ରଦର୍ଶନ ଓ ଭାରତୀୟ ଭାଷା ବ୍ୟବହାର ଆଞ୍ଚଳିକ ଭାଷାଗୁଡ଼ିକ ନିମନ୍ତେ ଏକ ପକ୍ଷରେ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରସାର ନିମନ୍ତେ ସୁଯୋଗ ପ୍ରସ୍ତୁତି କରୁଥିବାସ୍ଥଳେ ସେଗୁଡ଼ିକର ଗୁଣବତ୍ତା ବିକାଶ ଦିଗରେ ମଧ୍ୟ ଆହ୍ୱାନ ସୃଷ୍ଟି କରିବାରେ ଲାଗିଛି । ଲିଖିତ ଭାଷାର ବ୍ୟବହାର ପରକୁ ମୁଦ୍ରଣ ଯନ୍ତ୍ରର ବିକାଶ ଭାରତୀୟ ଭାଷାଗୁଡ଼ିକ ନିମନ୍ତେ ଅନୁରୂପ ପରିବେଶକୁ ଟାଣି ନେଇଥିଲା । ଊନବିଂଶ ଶତାଦ୍ଦୀର ସପ୍ତମ ଦଶକରେ ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଅବସ୍ଥାରେ ବ୍ରିଟିଶ ପ୍ରଶାସନ ପକ୍ଷରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଆଧୁନିକ ବିଦ୍ୟାଳୟ ଶିକ୍ଷା ପ୍ରଚଳନ ଅବସରରେ ଓଡ଼ିଆ ଭାଷାରେ ମୁଦ୍ରିତ ପୁସ୍ତକ ଅଭାବ ହେତୁ ପ୍ରତିବେଶୀ ଆଞ୍ଚଳିକ ଭାଷାଗୁଡ଼ିକରେ ଶିକ୍ଷାଦାନ ନିମନ୍ତେ ପ୍ରସ୍ତାବ ଚର୍ଚ୍ଚିତ ହୋଇଥିଲା । ତେବେ କେତେକ ପ୍ରତିଭାଧରଙ୍କଉଦ୍ୟମକ୍ରମେ ଓଡ଼ିଆ ଭାଷାରେ ପାଠ୍ୟ ପୁସ୍ତକ ରଚନା ଓ ମୁଦ୍ରଣ ହୋଇପାରିବା ହେତୁ ସେଭଳି ଏକ ସଂକଟ ଟଳିଥିଲା ।


 

ତଥାକଥିତ ‘ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ’ପର ଅଢ଼େଇ ଶହ ବର୍ଷପରେ ଓଡ଼ିଆ ଭାଷାରେ ବର୍ଷକୁ ୫୦୦ ଯାଏଁ ପୁସ୍ତକ ମୁଦ୍ରିତ ହେଉଛି ସତ, ତେବେ ଅଧିକାଂଶର ମୁଦ୍ରଣ ସୀମା ୫୦୦ ରୁ କମ ଏବଂ ପାଠକ ସୀମା ପ୍ରତ୍ୟେକ ପୁସ୍ତକ ପିଛା ଦୁଇ ତିନି ବର୍ଷରେ ହଜାରରୁ ଅଧିକ ଟପୁ ନଥିବା ଆକଳନ କରାଯାଏ । ଏହି ପରିବେଶରେ ରାଜ୍ୟରେସ୍ମାର୍ଟଫୋନ ଉପଭୋକ୍ତା ଯଦି ପ୍ରଭାତରେ ଶଯ୍ୟାତ୍ୟାଗକରିବାପରେ ଓଡ଼ିଆ ଭାଷାରେ ଭିଡ଼ିଓ ଖୋଜିବେ ଏବଂ ନିରାଶ ହେବେ, ତେବେ କ’ଣ କରିବେ ?ସ୍ୱାଭାବିକଭାବେ ଓଡ଼ିଆ ଭିନ୍ନ ଅନ୍ୟଭାଷା ପ୍ରତି ଆଗ୍ରହାନ୍ଵିତ ହେବେ ନାହିଁ କି ?


 

ଦର୍ଶକ ମହଲରେ ସର୍ବାଧିକ ଲୋକପ୍ରିୟ ୟୁ-ଟ୍ୟୁବ ମଞ୍ଚ ତନଖିଲେ ନିକଟ ଅତୀତରେ କିଛି ମାତ୍ରାରେ ଓଡ଼ିଆ ଭିଡ଼ିଓ ପ୍ରଦର୍ଶିତ ହେଉଥିବା ଜଣାଯାଏ । ତେବେ ଅଧିକାଂଶର ମାନ ଉନ୍ନତ ନୁହେଁ । ଉନ୍ମେଷ କାଳରୁ ଯଦି ଓଡ଼ିଆ ଭିଡ଼ିଓ ନିମ୍ନମୁଖୀ ହେବ ତେବେ ଭବିଷ୍ୟତ ସଙ୍କଟପନ୍ନ । ଏପରିକି ପ୍ରତିଷ୍ଠିତ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ୱେବ ପୋର୍ଟାଲଗୁଡ଼ିକ ଦର୍ଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ନିକୃଷ୍ଟ ଧରଣର ଚାଞ୍ଚଲ୍ୟକରସମ୍ୱାଦଗୁଡ଼ିକର ଲିଙ୍କ ବିଜ୍ଞାପିତ କରୁଥିବା ଦେଖାଯାଏ । ଏହାର ମୁଖ୍ୟ କାରଣ ହେଲା ଉନ୍ନତମାନର ପ୍ରକାଶନ ନିମନ୍ତେ ସମ୍ୱଳ ଅଭାବ ।


 

ଅଢେଇ ଶହ ବର୍ଷ ତଳେ ମଧ୍ୟ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ନବ ପ୍ରତିଷ୍ଠିତ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ବଦଳରେ ପ୍ରତିବେଶୀ ଭାଷାରେ ଶିକ୍ଷାଦାନ ଅବସ୍ଥାରେ ସେହି ପ୍ରଶ୍ନ ଉଠିଥିଲା । ମୁଦ୍ରଣ ଶିଳ୍ପ ବ୍ୟୟବହୁଳ ହୋଇଥିବା ତଥା ଭାଷାଭାଷୀ ସଂଖ୍ୟା କମ ଥିବା ହେତୁ ଅଧିକ ସଂଖ୍ୟକ ଓଡ଼ିଆ ପୁସ୍ତକ ପ୍ରକାଶିତ ହୋଇପାରିବ ନାହିଁ ଯାହାଫଳରେ ଶୈକ୍ଷିକ ପରିବେଶ ପ୍ରତିହତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ସାଂପ୍ରତିକ ପରିବେଶରେ ମଧ୍ୟ କ’ଣ ଏହି ସମସ୍ୟାର ସମାଧାନ ସଂଭବପର ନୁହଁ ?


 

ଇଣ୍ଟରନେଟର ବିସ୍ତୃତି ପରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ମୁଦ୍ରଣ ଶିଳ୍ପ ସଂକଟଜନକ ପରିସ୍ଥିତିରେ ଉପନୀତ ହେବାପରେ ବଦାନ୍ୟତା ‘ଫିଲୋନ୍ଥ୍ରପି’ଅବଲମ୍ୱନରେ ତିଷ୍ଠି ରହିଛି । ଇଣ୍ଟରନେଟରେ ବିଜ୍ଞାପନ ଆଶ୍ରିତ ପ୍ରକାଶନ ମଡ଼େଲ କାମ କରୁନାହିଁ । ଫେସବୁକ ଓ ଗୁଗୁଲ ୮୦ ଭାଗ ବିଜ୍ଞାପନ ଆୟ ନେଇଯାଉଥିବା ସ୍ଥଳେ ବିଶ୍ୱର ଅନ୍ୟ ସମସ୍ତଙ୍କ ଭାଗରେ ୨୦ ପ୍ରତିଶତ ଡିଜିଟାଲ ବିଜ୍ଞାପନ ଉପଲବ୍ଧ । ତେଣୁ ଅନଲାଇନପ୍ରକାଶନଗୁଡ଼ିକ ବଦାନ୍ୟତାରେ ଗଢ଼ି ଉଠୁଛନ୍ତି । ଓଡ଼ିଆ ଭାଷାରେ ମଧ୍ୟ ସେଦିଗରେ ଉଦ୍ୟମ ଜରୁରୀ ।


 

ଓଡ଼ିଶାରେ ଗଣମାଧ୍ୟମ ଉନ୍ମେଷ କାଳରୁ ପ୍ରକାଶନ ଶିଳ୍ପ ପରିଚାଳନା କ୍ଷେତ୍ରରେ ବଦାନ୍ୟତା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛି । ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ ରାଜାରାଜୁଡ଼ାଙ୍କ ଦାନ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ରାଜନେତା ଓ ଶିଳ୍ପପତିଙ୍କ ବଦାନ୍ୟତାରେ ପରିବର୍ତ୍ତିତ ହୋଇଛି । ତେବେ ରାଜନୀତିକ ମାଲିକାନାର ପ୍ରଭାବ ସ୍ଵାଧୀନ ସାମ୍ୱାଦିକତାର ପରିପନ୍ଥୀ ସାବ୍ୟସ୍ତ ହେବାରେ ଲାଗିଛି । ଏହି ଅବସରରେ ବ୍ରିଟେନର ‘ଗାର୍ଡ଼ିଆନ’ଭଳିମଡ଼େଲରେ ସ୍ଥାନୀୟ ଗଣମାଧ୍ୟମ ଯଦି ସର୍ବସାଧାରଣଙ୍କଠାରୁ ବଦାନ୍ୟତା ସଂଗ୍ରହର ବ୍ୟବସ୍ଥା କରିପାରିବେ ତେବେ ସାମ୍ୱାଦିକତାର ଗୁଣାତ୍ମକ ବିକାଶରେ ସହାୟକ ହୋଇପାରିବ ।


 

ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ । ଅଣବିକଶିତ ଅର୍ଥନୀତିରେ ପ୍ରତିଭାଧରମାନେଗୋଷ୍ଠୀଗତଭାବେ କୌଣସି ସ୍ୱାଧୀନ ବ୍ୟବସାୟରେ ମନୋନିବେଶ ନକରି ନିଯୁକ୍ତି ଆଶ୍ରିତ ହୋଇପଡୁଥିବା ହେତୁ ସେମାନଙ୍କ ବ୍ୟକ୍ତିଗତ ସୃଜନ, ଆର୍ଥିକ ଜୀବନ ଓ ସର୍ବୋପରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପରିପୁଷ୍ଟ ହୋଇପାରୁ ନାହିଁ ।


 

ଅପରପକ୍ଷେ ସୃଜନ କେବେ ହେଁ ଚାଞ୍ଚଲ୍ୟକୁ ପାଥେୟ କରି ଯେ ସଫଳତା ହାସଲ କରିପାରେ ନାହିଁ ଏହା ଗଣମାଧ୍ୟମର ଇତିହାସରୁ ସୁସ୍ୱଷ୍ଟଏବଂ ଏକଥା ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଗଣମାଧ୍ୟମରେ ସଂପୃକ୍ତ ପ୍ରତିଭାମାନେ ଉପଲବ୍ଧ କରିବା ଆବଶ୍ୟକ । ଯେତେ କ୍ଷୁଦ୍ର ପରିସରରେ ହେଲେ ହେଁ ଗୁଣାତ୍ମକ ବିକାଶ ହିଁ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ଉନ୍ନତିର ବାହକ ଏହି ସଚ଼େତନତା ପ୍ରସାର ଜରୁରୀ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୧


ତଥ୍ୟ:



The future of content : video, vernacular and mobile only. Business Standard (Bhubaneswar Edition). October 3, 2019.

ମୋବାଇଲ ଜର୍ଣ୍ଣାଲିଜମ

ଦେଶର ଆଗଧାଡ଼ିର ଗଣମାଧ୍ୟମ ପ୍ରତିଷ୍ଠାନ ‘ଇଣ୍ଡିଆ ଟୁଡ଼େ’ ପକ୍ଷରୁ ଗତ ୨୬ ଅକ୍ଟୋବର ୨୦୧୭ରେ ସାତଗୋଟି ଡ଼ିଜିଟାଲ ଭିଡ଼ିଓ ଚ଼୍ୟାନେଲ ଆରମ୍ଭ ସମକାଳର ସମ୍ୱାଦଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ଏହି ଚ୍ୟାନେଲଗୁଡ଼ିକ ଉଭୟ ୱେବସାଇଟ ଓ ମୋବାଇଲ ଆପ୍ଳିକେସନ ଆକାରରେ ଉପଲବ୍ଧ । ‘ମୋବି ତକ ଡ଼ଟ ଇନ’ ବ୍ୟାନରରେ ନିଉଜ ତକ, ସ୍ୱୋର୍ଟ୍ସ ତକ, ଲାଇଫ ତକ, ଆଷ୍ଟ୍ରୋ ତକ, ଟେକ ତକ ଓ ଯୋଗ ତକ ସାମିଲ ହୋଇଛି ।


 

ଉଦଘାଟନ ଅବସରରେ ‘ଇଣ୍ଡିଆ ଟୁଡ଼େ’ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହି ଚ଼୍ୟାନେଲଗୁଡ଼ିକରେ ଭିଡ଼ିଓ କଣ୍ଟେଟ ପ୍ରସାରିତ ହେବ ଏବଂ ମୋବାଇଲ ପରଦାରେ ପ୍ରଦର୍ଶନ ଉପଯୋଗୀ ଗୁଣବତ୍ତା ପ୍ରତି ଧ୍ୟାନ ଦିଆଯିବ । ‘ଇଣ୍ଡିଆ ଟୁଡ଼େ’ ଗୃପର ମାଲିକ ଆରୁଣ ପୁରୀଙ୍କ କନ୍ୟା କାଳୀ ପୁରୀ କମ୍ପାନୀର ଉପାଧ୍ୟକ୍ଷ ପଦବୀରେ ଅଧିଷ୍ଠିତ ହେବାପରେ ପ୍ରତିଷ୍ଠାନର ନୂତନ ବ୍ୟାବସାୟିକ ପଦକ୍ଷେପର ମଙ୍ଗ ଧରିଛନ୍ତି । ସେ କହିଛନ୍ତି ଯେ ମୋବାଇଲ ପରଦାରେ ଭିଡ଼ିଓ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ହେତୁ ସେମାନେ ଏଥିପ୍ରତି ଗୁରୁତ୍ୱ ପ୍ରଦାନ କରିଛନ୍ତି । ଦର୍ଶକଙ୍କ ଆବଶ୍ୟକତା ପୂରଣ କରିବାଲାଗି ସାତଗୋଟି ଟେଲିଭିଜନ ଚ୍ୟାନେଲ ଆରମ୍ଭ କରିବା ସେମାନଙ୍କ ପକ୍ଷେ ହୁଏତ ସମ୍ଭବପର ହୋଇପାରିନଥାନ୍ତା, କିନ୍ତୁ ଡ଼ିଜିଟାଲ ମଞ୍ଚରେ ତାହା ସମ୍ଭବପର ହୋଇପାରିଛି ।


 

ମୋବାଇଲ ଫୋନରେ ଚ଼ିତ୍ର ଉତ୍ତୋଳନ, ସମ୍ପାଦନା ଓ ପ୍ରସାରଣର ସୁବିଧା ଉପଯୋଗରେ ମୋବାଇଲ ଜର୍ଣ୍ଣାଲିଜମ ବା ‘ମୋ-ଜୋ’ ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ ବା ଅଡ଼ିଓ ଭିଜୁଆଲ କମ୍ୟୁନିକସେନରେ ନୂତନ ସମ୍ଭାବନା ସୃଷ୍ଟି କରିଛି । ଏକପକ୍ଷରେ ମୋବାଇଲ ଫୋନରେ ବୈଷୟିକ ଉନ୍ନତି ଓ ଆୟତ୍ତାଧିନ ବୈଷୟିକ ଦକ୍ଷତା ଭିଡ଼ିଓ ପ୍ରସ୍ତୁତି ତଥା ପ୍ରସାରଣରେ ସହାୟକ ହେଉଥିବାସ୍ଥଳେ ଅପରପକ୍ଷରେ ଅଧିକରୁ ଅଧିକ ଦର୍ଶକ ଅଧିକରୁ ଅଧିକ ସମୟ ମୋବାଇଲ ପରଦାରେ ଭିଡ଼ିଓ ଉପଭୋକ୍ତା ସାଜୁଥିବା ହେତୁ ଏହାର ବ୍ୟାପ୍ତିର ଅସୀମତା ସହଜରେ କଳନା କରିହେଉ ନାହିଁ । କ୍ଳାଉଡ଼ ବୈଷୟିକ କୌଶଳର ବ୍ୟବହାରରେ ଭିଡ଼ିଓ ସାଇତି ରଖିବା ତଥା ଦର୍ଶକ ନିଜ ପସନ୍ଦ ମୁତାବକ ଯେକୌଣସି ଭିଡ଼ିଓ ଯେକୌଣସି ସମୟରେ ଖୋଜି ବାହାର କରିବା ସୁବିଧା ଗଣମାଧ୍ୟମ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।


 

ମୋବାଇଲ ଫୋନ ଭିଡ଼ିଓ ପ୍ରସାରଣ ସୁବିଧାର ସମ୍ଭାବ୍ୟ ଭବିଷ୍ୟତକୁ ମୂଳଧନ କରି ଆଗରୁ ହିନ୍ଦୁସ୍ତାନ ଟାଇମସ, ଟାଇମସ ଅଫ ଇଣ୍ଡିଆ ଓ ନିଉଦିଲ୍ଲୀ ଟେଲିଭିଜନ ଏହି କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା ଚଳାଇଥିବାସ୍ଥଳେ ବର୍ତ୍ତମାନ ‘ଇଣ୍ଡିଆ ଟୁଡ଼େ’ର ଉପସ୍ଥିତି ଏହି ଉନ୍ମେଷମୁଖୀ ଧାରା ପ୍ରତି ଦୃଷ୍ଟି ଆକର୍ଷଣର କାରଣ ପାଲଟିଛି ।


 

ଆନ୍ତର୍ଜାତିକସ୍ତରରେ ମୋବାଇଲ ଫୋନ ପର୍ଦ୍ଦାରେ ଭିଡ଼ିଓ ଦେଖିବା ଲୋକପ୍ରିୟ ହେବାରେ ଲାଗିଛି । ନିକଟରେ ‘ଆରିକସନ କନଜ୍ୟୁମର ଲେବ’ ପକ୍ଷରୁ ଭାରତ ସମେତ ମୋବାଇଲ ଫୋନ ବ୍ୟବହାରରେ ଆଗୁଆଥିବା ୧୩ ଗୋଟି ରାଷ୍ଟ୍ରରେ ୧୬ ରୁ ୬୯ ବର୍ଷ ବୟସ ସୀମାରେ ୨୦ ହଜାର ଲୋକଙ୍କ ମଧ୍ୟରେ ମୋବାଇଲ ଫୋନରେ ଭିଡ଼ିଓ ଦେଖିବା ଅଭ୍ୟାସ ସଂପର୍କରେ ଏକ ସର୍ଭେ ଆୟୋଜନ କରାଯାଇଥିଲା । ସେଥିରୁ ଜଣାଗଲା ଯେ ୭୦ ପ୍ରତିଶତ ଲୋକ ମୋବାଇଲ ଫୋନରେ ଭିଡ଼ିଓ ଦେଖୁଛନ୍ତି । ୧୬ ରୁ ୧୯ ବର୍ଷ ବୟସ ସୀମାର ଯୁବବର୍ଗ ସପ୍ତାହକୁ ୩୩ ଘଣ୍ଟା ଅର୍ଥାତ ଦୈନିକ ୪ ରୁ ୫ ଘଣ୍ଟା ଭିଡ଼ିଓ ଦେଖାରେ ଅତିବାହିତ କରୁଛନ୍ତି । ୬୦ ପ୍ରତିଶତ ଲୋକ ସିଧାସଳଖ ଲିନିଅର ଟେଲିଭିଜନ କାର୍ଯ୍ୟକ୍ରମ ବଦଳରେ ସେମାନଙ୍କ ମନମୁତାବକ ଅନ-ଡ଼ିମାଣ୍ଡ ଟେଲିଭିଜନ କାର୍ଯ୍ୟକ୍ରମ ଦେଖିବାକୁ ପସନ୍ଦ କରୁଛନ୍ତି ।


 

୨୦୧୭ ଅକ୍ଟୋବର ମାସ ସୁଦ୍ଧା ଭାରତରେ ୩୫ କୋଟି ଓ ଓଡ଼ିଶାରେ ଏକ କୋଟି ସ୍ମାର୍ଟଫୋନ ବ୍ୟବହୃତ ହେଉଥିବା ଗଣତି କରାଯାଇଥିଲା । ଆନ୍ତର୍ଜାତିକ ଧାରା ସହ ସମତାଳ ଦେଇ ଏଠାରେ ମଧ୍ୟ ମୋବାଇଲ ପର୍ଦ୍ଦାରେ ଭିଡ଼ିଓ ଦେଖା ଲୋକପ୍ରିୟ ହେବାରେ ଲାଗିଛି । ୟୁ-ଟ୍ୟୁବର ତଥ୍ୟ ଅନୁଯାୟୀ ଆମ ଦେଶରେ ୮୫ ପ୍ରତିଶତ ଉପଭୋକ୍ତା ମୋବାଇଲ ଫୋନରେ ୟୁ-ଟ୍ୟୁବ ଭିଡ଼ିଓ ଦେଖିଥାନ୍ତି ଏବଂ ୟୁ-ଟ୍ୟୁବ ଉପଭୋକ୍ତାଙ୍କ ସଂଖ୍ୟା ୨୦୧୬ ରୁ ୨୦୧୭ ବର୍ଷକ ମଧ୍ୟରେ ଦୁଇଗୁଣ ବଢ଼ିଛି । ଏହି ଭଳି ପରିସଂଖ୍ୟାନ ଓଡ଼ିଶାରେ ମୋବାଇଲ ପର୍ଦ୍ଦାରେ ଭିଡ଼ିଓ ଦର୍ଶକଙ୍କ ସଂଖ୍ୟା ଅନ୍ୟାନ୍ୟ ଗଣମାଧ୍ୟମ ତୁଳନାରେ ପ୍ରମୁଖ ସ୍ଥାନ ଅଧିକାର କରୁଥିବା ସୂଚ଼ାଇ ଥାଏ ।


 

ଓଡ଼ିଶା ଭଳି ରାଜ୍ୟରେ ମୋବାଇଲ ଫୋନ ପର୍ଦ୍ଦାରେ ଭିଡ଼ିଓ ପ୍ରଦର୍ଶନ ଲୋକପ୍ରିୟ ହେବାର ମୁଖ୍ୟକାରଣ ଗୁଡ଼ିକ ମଧ୍ୟରେ ସାକ୍ଷରତା କ୍ଷେତ୍ରରେ ପ୍ରତିବେଶୀ ରାଜ୍ୟ ତୁଳନାରେ ନ୍ୟୂନତା ମୁଖ୍ୟ ସ୍ଥାନ ଅଧିକାର କରିବା ସ୍ୱାଭାବିକ । ୨୦୧୧ ଜନଗଣନା ଅନୁଯାୟୀ ଏଠାକାର ସାକ୍ଷରତା ହାର ୭୨.୮୭ ପ୍ରତିଶତରେ ସୀମିତ ରହିଥିଲା । ରାଜ୍ୟରେ ଇଣ୍ଟରନେଟ ଓ ସ୍ମାର୍ଟଫୋନ ପ୍ରସାର ତଥା କମ ଖର୍ଚ୍ଚରେ ଡ଼ାଟା ବ୍ୟବହାରର ସୁବିଧା ଭିଡ଼ିଓ ମାଧ୍ୟମର ସପକ୍ଷରେ ଯାଉଛି । ଆଗାମୀ ତିନି ବର୍ଷ ମଧ୍ୟରେ ୨୦୨୦ ବେଳକୁ ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତରେ ଇଣ୍ଟରନେଟ ସଂଯୋଗ ପହଞ୍ଚିସାରିବା ଅବସରରେ ସ୍ମାର୍ଟଫୋନ ଓ ଭିଡ଼ିଓ ଗଣମାଧ୍ୟମରେ ଏକ ନୂତନ ସମୀକରଣ ସୃଷ୍ଟି କରିବା ଅବଶ୍ୟାମ୍ଭାବୀ ।


 

ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରୁ ଟେଲିଭିଜନ ପର୍ଦ୍ଦାକୁ ସମ୍ୱାଦ ପ୍ରସାରଣ ଅପସାରିତ ହେବା ଅବସରରେ ସମ୍ୱାଦପତ୍ର ପାଠକଙ୍କ ସଂଖ୍ୟା ପ୍ରଭାବିତ ହୋଇ ନଥିଲା । ଅପରପକ୍ଷେ ସମ୍ୱାଦପତ୍ର ପାଠକ ସଂଖ୍ୟା ବୃଦ୍ଧିରେ ସହାୟକ ହୋଇଥିଲା । କିନ୍ତୁ ଟେଲିଭିଜନ ପର୍ଦ୍ଦାରୁ ମୋବାଇଲ ଫୋନ ପର୍ଦ୍ଦାକୁ ସମ୍ୱାଦ ପ୍ରସାରଣ ଅପସାରିତ ହେବା ଅବସରରେ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଆଧାରିତ ସମ୍ୱାଦଶିଳ୍ପ କେତେ ମାତ୍ରାରେ ପ୍ରଭାବିତ ହେବ ତାହା ସମୟ କହିବ ।


 

ଅବଶ୍ୟ ଏହି ସଂଘର୍ଷର ମୁକାବିଲା କରିବା ନିମନ୍ତେ ଉଭୟ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଶିଳ୍ପ ପ୍ରସ୍ତୁତଥିବା ଅନୁମାନ କରାଯାଉଛି । ପ୍ରଥମତଃ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ସେମାନଙ୍କ ସମ୍ୱାଦ ପରିବେଷଣର ଧାରା ବଦଳାଇ ଚାଲିଥିବା ଏବଂ ଅଧିକରୁ ଅଧିକ ସଂଖ୍ୟକ ଉପଭୋକ୍ତା ମୋବାଇଲ ଭିଡ଼ିଓରେ ମୌଳିକ ସମ୍ୱାଦର ଆଭାସ ପାଇ ସାରିବା ପରେ ବିସ୍ତୃତ ବିବରଣୀ ପାଇଁ ମୁଦ୍ରିତ ସମ୍ୱାଦପତ୍ରମୁଖୀ ହେବା ଆଶା କରାଯାଉଛି । ଦ୍ୱିତୀୟତଃ ଟେଲିଭିଜନ ଚ଼୍ୟାନେଲଗୁଡ଼ିକ ନିଜର କାର୍ଯ୍ୟକ୍ରମ ପ୍ରସ୍ତୁତି ଢ଼ାଞ୍ଚାରେ ଆବଶ୍ୟକୀୟ ପରିବର୍ତ୍ତନ ସହ ଡ଼ିଜିଟାଲ ଚ଼୍ୟାନେଲରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି । ‘ଇଣ୍ଡିଆ ଟୁଡ଼େ’ ପ୍ରଥମେ ପାକ୍ଷିକ ଓ ପରେ ସାପ୍ତାହିକ ଇଂଲିଶ ସମ୍ୱାଦ ପତ୍ରିକା ବ୍ରାଣ୍ଡ ରୂପେ ନିଜ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ ହେଁ ଟେଲିଭିଜନ ପରକୁ ଡ଼ିଜିଟାଲ ମଞ୍ଚରେ ପ୍ରବେଶ ଏହାର ପ୍ରକୃଷ୍ଟ ଉଦାହରଣ । ପ୍ରସାରଣ ମଞ୍ଚ ବଦଳିଲେ ସୁଦ୍ଧା ସମ୍ୱାଦଶିଳ୍ପରେ ପ୍ରଯୋଜନାଜନିତ ଆଭିମୁଖ୍ୟ ପରିବର୍ତ୍ତନ ନୂତନ ସମୀକରଣରେ ଅନୁପୂରକଭାବେ କାର୍ଯ୍ୟକରିପାରେ ବୋଲି କହିବାକୁ ହେବ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ନଭେମ୍ୱର ୨୦୧


ତଥ୍ୟ:



http://www.sambadepaper.com/Detai।s.aspx?id=394396&boxid=31026588

ମୋବାଇଲ ଜର୍ଣ୍ଣାଲିଜମର ଦୁଇ ଉଦାହରଣ

ଆର୍ନ୍ତଜାତିକସ୍ତରରେ ୨୦୧୭ ମସିହାରେ ଗଣମାଧ୍ୟମକ୍ଷେତ୍ରରେ ଯେଉଁସବୁ ପରିବର୍ତ୍ତନ ଆଲୋଡ଼ନ ସୃଷ୍ଟି କରିଥିଲା ସେଥି ମଧ୍ୟରେ ଭାରତର ଖ୍ୟାତନାମା ସାଟେଲାଇଟ ଟେଲିଭିଜନ ଚ଼୍ୟାନେଲ ‘ନୂଆ ଦିଲ୍ଲୀ ଟେଲିଭିଜନ’ ଓ ବଙ୍ଗଳାଦେଶର ଲୋକପ୍ରିୟ ସମ୍ୱାଦପତ୍ର ‘ପ୍ରଥମ ଆଲୋ’ ପକ୍ଷରୁ ମୋବାଇଲଜର୍ଣ୍ଣାଲିଜମ ଧାରା ଉପଯୋଗ ଅନ୍ୟତମ । ବିକଶିତ ରାଷ୍ଟ୍ରଗୁଡ଼ିକରେ ମୋବାଇଲ ଜର୍ଣ୍ଣାଲିଜମର ଉନ୍ମେଷ ଘଟିଥିଲେ ହେଁ ଏନଡ଼ିଟିଭି ପକ୍ଷରୁ ଜୁଲାଇ ଶେଷ ସପ୍ତାହରେ ସମ୍ୱାଦ ସଂଗ୍ରହ ପ୍ରକ୍ରିୟା ସଂପୂର୍ଣ୍ଣରୂପେ ସ୍ମାର୍ଟଫୋନ ଉପଯୋଗରେ ପରିଚାଳନା କରିବା ବିଶ୍ୱସ୍ତରରେ ପ୍ରଥମ । ଏନଡ଼ିଟିଭି ଏକ ପ୍ରତିଷ୍ଠିତ ଟେଲିଭିଜନ ସଂସ୍ଥା ଏବଂ ଏହାର ସାମ୍ୱାଦିକତା ଭାରତୀୟ ଗଣତନ୍ତ୍ରକୁ ଦୁଇ ଦଶନ୍ଧୀଧରି ପ୍ରଭାବିତ କରିଆସିଛି । ସେହିପରି ବାଂଲାଦେଶର ‘ପ୍ରଥମ ଆଲୋ’ ଅନ-ଲାଇନ ପୋର୍ଟାଲ ୭୦ ଲକ୍ଷ ଦର୍ଶକ ଦାବି କରିଥାଏ । ମୋବାଇଲ ସ୍ମାର୍ଟଫୋନ ବହୁଳ ବ୍ୟବହାରରେ ଶୀର୍ଷସ୍ଥାନ ଅଧିକାର କରୁଥିବା ଦକ୍ଷିଣ କୋରିଆ, ଯୁକ୍ତରାଷ୍ଟ୍ର ଆମେରିକା ବା ଚ଼ୀନରେ ମୋବାଇଲ ଜର୍ଣ୍ଣାଲିଜମ ମଙ୍ଗ ଧରିନଥିବା ବେଳେ ଏସିଆ ଭୂଖଣ୍ଡରୁ ଏହି କ୍ଷେତ୍ରରେ ନେତୃତ୍ୱ ଉଲ୍ଲେଖନୀୟ ଘଟଣା ।


 

୨୦୦୭ ମସିହାରେ ‘ଏପେଲ’ ପକ୍ଷରୁ ସ୍ମାର୍ଟଫୋନ ପ୍ରଚଳନ ପରବର୍ତ୍ତୀ ପ୍ରଥମ ଦଶକରେ ବିଭିନ୍ନ ଆପ୍ଲିକେଶନ ପ୍ରକାଶନ ବିଶ୍ୱବ୍ୟାପୀ ସମସାମୟିକ ଜୀବନଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସ୍ମାର୍ଟଫୋନରେ ଫୋଟ ଓ ଭିଡ଼ିଓ ଉତ୍ତୋଳନ ଲୋକପ୍ରିୟ ହେବା ପରେ ଫୋନ ନିର୍ମାତାମାନଙ୍କଦ୍ୱାରା ସେହି ଦିଗକୁ ବିକଶିତ କରିବା ନିମନ୍ତେ ଉଦ୍ୟମ ଜାରୀ ରହିଲା ଫଳରେ ସ୍ମାର୍ଟଫୋନ କ୍ରମଶଃ ‘ଇଏନଜି’ ବା ଇଲକ୍ଟ୍ରୋନିକ ନିଉଜଗେଦେରିଂ ଯନ୍ତ୍ରପାତିର ସମକକ୍ଷ ହୋଇପାରିଲା। ମୁଖ୍ୟତଃ ସୌଖୀନ ଫୋଟୋଗ୍ରାଫର ଓ ଭିଡ଼ିଓଗ୍ରାଫର ତଥା ସାଧାରଣ ଲୋକଙ୍କ ନିମନ୍ତେ ପ୍ରସ୍ତୁତ ଏହାର ବୈଷୟିକ କଳାକୌଶଳ ଅତ୍ୟନ୍ତ ସରଳ ଓ ସ୍ୱୟଂକ୍ରିୟ ନୀତିରେ ପର୍ଯ୍ୟବସିତ ହୋଇଥାଏ । ସ୍ମାର୍ଟଫୋନରେ ଭିଡ଼ିଓ ସୁଟିଂ ସାଙ୍ଗକୁ ଏଡ଼ିଟିଂ, ସ୍ୱେସାଲ ଏଫେକ୍ଟ ସଂଯୋଗ ଓ ଇଣ୍ଟରନେଟ ଯୋଗେ ପ୍ରସାରଣର ସୁବିଧା ଉପଲବ୍ଧ ହେବାପରେ ବୃତ୍ତିଧାରୀ ବା ପ୍ରଫେସନାଲମାନଙ୍କ ଦୃଷ୍ଟି ଆକର୍ଷଣ କଲା ।


 

୨୦୦୮ ମସିହାରେ ପାଶ୍ଚାତ୍ୟ ଭୂଖଣ୍ଡରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହେବା ପରେ ଏହାର ପ୍ରଭାବ ଊଣା ଅଧିକେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅନୁଭୂତ ହୋଇଥିଲା ।ବ୍ୟବସାୟିକ ଅସ୍ଥିରତା ହେତୁ ପାରମ୍ପରିକ ମୁଦ୍ରଣ ଓ ଟେଲିଭିଜନ ଶିଳ୍ପରେ ବିଜ୍ଞାପନ ରାଜସ୍ୱ କମି ଆସିବା ତଥା ଠିକ୍ ସେହି ସମୟରୁ ଡ଼ିଜିଟାଲ ମିଡ଼ିଆର ବ୍ୟାପକ ପ୍ରସାର ପାଠକ ଓ ଦର୍ଶକ ହରାଇବା କାରଣରୁ ଆୟବ୍ୟୟ ସମତୁଲ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଲା । ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ବ୍ୟୟସଂକୋଚ଼ନ ତଥା ଟେଲିଭିଜନ କାର୍ଯ୍ୟକ୍ରମ ଦର୍ଶକମାନେ ସ୍ମାର୍ଟଫୋନ, ଟେବଲେଟ ବା ଲ୍ୟାପଟପରେ ଦେଖିବା କ୍ରମଶଃ ଲୋକପ୍ରିୟ ହୋଇଚାଲିଥିବା ଅବସରରେ ଟେଲିଭିଜନ ଓ ଅନ-ଲାଇନ ସାମ୍ୱାଦିକତାରେ ସ୍ମାର୍ଟଫୋନ ବ୍ୟବହାରକୁ ବିକଳ୍ପରୂପେ ବିବେଚ଼ନା କରାଗଲା । ଟେଲିଭିଜନ ସାମ୍ୱାଦିକତାର ପ୍ରତିପତ୍ତି ସୁରକ୍ଷାଲାଗି ପ୍ରାଥମିକସ୍ତରରେ ସ୍ମାର୍ଟଫୋନରେ ଚ଼ିତ୍ରଗ୍ରହଣ ଓ ସମ୍ପାଦନାର ଗୁଣବତ୍ତାକୁ ଆକ୍ଷେପ କରି ସଂଖ୍ୟାଧିକ ପ୍ରତିଭା ଏହି ଧାରା ପ୍ରତି ବିମୁଖ ହେଉଥିଲେ ହେଁ ଭବିଷ୍ୟତ ଯେ ମୋବାଇଲ ଜର୍ଣ୍ଣାଲିଜମର ଯୁଗ ଏହାକୁ ଅସ୍ୱୀକାର କରିବା କଷ୍ଟସାଧ୍ୟ ବୋଧ ହୁଏ ।


 

ବୈଷୟିକ ପ୍ରଗତି ଯୋଗୁଁ ବିଂଶ ଶତାଦ୍ଦୀର ସପ୍ତମ ଦଶକରେ ପୃଥଳ ଫିଲ୍ମ କ୍ୟାମେରା ବଦଳରେ ହାଲୁକା କ୍ୟାମେରା ତଥା ଭିଡ଼ିଓ ଓ ତତ୍ପରବର୍ତ୍ତୀ ଅବସ୍ଥାରେ ଡ଼ିଜିଟାଲ କ୍ୟାମେରା ବ୍ୟବହୃତ ହୋଇଥିଲା । ଅର୍ଥାତ ବୈଜ୍ଞାନିକ ଆବିଷ୍କାର ସହ ତାଳ ଦେଇ ଚ଼ିତ୍ର ଗ୍ରହଣ ଓ ସମ୍ପାଦନା ପ୍ରଣାଳୀରେ ବିଗତ ଅର୍ଦ୍ଧ ଶତାଦ୍ଦୀ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ସମ୍ଭବପର ହୋଇଛି । ପରବର୍ତ୍ତୀ ଅବସ୍ଥାରେ ମୋବାଇଲ ସ୍ମାର୍ଟଫୋନ ଯୋଗେ ଭିଡ଼ିଓ ଚ଼ିତ୍ର ଗ୍ରହଣ ଓ ସମ୍ପାଦନା ସୌଖୀନ ସମେତ ବୃତ୍ତିଧାରୀଙ୍କ ଦ୍ୱାରା ଭିଡ଼ିଓ କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ବ୍ୟବହାର ଅବଶ୍ୟମ୍ଭାବୀ ।


 

ମୂଳସ୍ରୋତର ଟେଲିଭିଜନ ଓ ଅନଲାଇନ ପୋର୍ଟାଲ ସାମ୍ୱାଦିକତାରେ ମୋବାଇଲ ଜର୍ଣ୍ଣାଲିଜମ ସ୍ୱତଃପ୍ରବୃତ୍ତଭାବେ ପ୍ରବେଶ କରିସାରିଛି ବୋଲି କୁହାଯାଇପାରେ । ଅନେକ ଅଘଟଣର ବ୍ରେକିଂ ନିଉଜ ଘଟଣାବଳୀର ଦୃଶ୍ୟ ସେଠାରେ ଉପସ୍ଥିତ ସାଧାରଣ ଲୋକେ ସ୍ମାର୍ଟଫୋନରେ ଅବଦ୍ଧ କରୁଥିବାବେଳେ ସେଗୁଡ଼ିକୁ ମୂଳ ସମ୍ୱାଦ କାର୍ଯ୍ୟକ୍ରମ ସହ ଯୋଡ଼ା ଯାଉଛି ।ପାରମ୍ପରିକଭାବେ ଘଟଣା ଘଟିବାର ଦୀର୍ଘ ସମୟ ପରେ ଟେଲିଭିଜନ ସାମ୍ୱାଦିକମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ବର୍ଣ୍ଣନା କରିଥାନ୍ତି । ଏହାକୁ ‘ବ୍ଳାକ-ହୋଲ-ଲାଇଭ-ସଟ’ କୁହାଯାଏ । ସମୟକ୍ରମେ ଦର୍ଶକ ମହଲରେ ଏଭଳି ଦୃଶ୍ୟ ବଦଳରେ ଯଥାସଂଭବ ‘ଲାଇଭ-ସଟ’କୁ ପସନ୍ଦ କରୁଥିବା ଦେଖାଯାଉଛି । ସ୍ମାର୍ଟଫୋନରେ ସୁଟିଂ କରାଯାଇଥିବା ଲାଇଭ-ସଟ ଖୋଜି ବାହାର କରିବା ନିମନ୍ତେ ସୋସିଆଲ ମିଡ଼ିଆ ପ୍ରଶସ୍ତ କ୍ଷେତ୍ର ଯୋଗାଇ ପାରୁଛି । ଆଗକୁ ଏହି ଧାରାର ବହୁଳ ବ୍ୟବହାର ଆଶା କରାଯାଇପାରେ ।


 

ଏନଡ଼ିଟିଭି ମୋବାଇଲ ଜର୍ଣ୍ଣାଲିଜମରେ ପ୍ରବେଶର କିଛିକାଳ ପୂର୍ବରୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଛନ୍ଦି ହୋଇପଡ଼ିଥିଲା । ତେବେ ସାଂଗଠନିକ ପରିଚ଼ାଳନାଗତ ବିବାଦ କିମ୍ୱା ଖର୍ଚ୍ଚକାଟ ମୋବାଇଲ ଜର୍ଣ୍ଣାଲିଜମରେ ପ୍ରବେଶର କାରଣ ନୁହଁ ବୋଲି ସଂପୃକ୍ତ ସଂସ୍ଥା ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଥିଲା । ଆନ୍ତର୍ଜାତିକସ୍ତରରେ ଆତ୍ମପ୍ରକାଶ କରୁଥିବା ଏକ ନୂତନ ବୈଷୟିକ କୌଶଳ ଉପଯୋଗରେ ଉକୃଷ୍ଟ ଧରଣର କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ଏନଡ଼ିଟିଭି ପ୍ରତିଶୃତିବଦ୍ଧ ବୋଲି କୁହାଯାଇଥିଲା । ଚ଼୍ୟାନେଲ ନିମନ୍ତେ ସଂପୂର୍ଣ୍ଣଭାବେ ସ୍ମାର୍ଟଫୋନରେ ସୁଟିଂ ଓ ଏଡ଼ିଟିଂ ବ୍ୟବସ୍ଥା ଆରମ୍ଭ କରିବା ପୂର୍ବରୁ ସଂସ୍ଥାରେ କାର୍ଯ୍ୟରତ ଭିଡ଼ିଓଗ୍ରାଫରମାନଙ୍କୁ ଛଟେଇ କରାଯାଇ ସମସ୍ତ ସାମ୍ୱାଦିକଙ୍କୁ ସୁଟିଂ ଓ ଏଡ଼ିଟିଂର ମୌଳିକ କଳାକୌଶଳ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ଏନଡ଼ିଟିଭିରେ ମୋବାଇଲ ଜର୍ଣ୍ଣାଲିଜମ ପ୍ରବର୍ତ୍ତନ ପର ଛଅମାସ ମଧ୍ୟରେ ଚ଼୍ୟାନେଲର କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଗୁଣବତ୍ତାରେ ବିଶେଷ କିଛି ପାର୍ଥକ୍ୟ ଚର୍ଚ୍ଚାର ପରିସରକୁ ଆସିନଥିବା ଜଣାଯାଏ ।


 

ବାଂଲାଦେଶର ସମ୍ୱାଦପତ୍ର ‘ପ୍ରଥମ ଆଲୋ’ ପକ୍ଷରୁ ଗ୍ରାମାଞ୍ଚଳରେ ଅବସ୍ଥାପିତ ୧୮୪ ଜଣ ସାମ୍ୱାଦିକଙ୍କୁ ୨୦୧୬ ମସିହା ଜୁଲାଇ ମାସରୁ ପର୍ଯ୍ୟାୟକ୍ରମେ ମୋବାଇଲ ଜର୍ଣ୍ଣାଲିଜମ ତାଲିମର ବ୍ୟବସ୍ଥା କରାଯାଇଥିଲା । ଜାମିଲ ଖାନ ନାମକ ଜଣେ ପ୍ରଶିକ୍ଷକ ଚିଟ୍ଟାଗଙ୍ଗ, ବୋଗରା ଓ ଖୁଲନା ଭଳି ଗ୍ରାମୀଣ କେନ୍ଦ୍ରସ୍ଥଳରେ ସ୍ମାର୍ଟଫୋନ ଯୋଗେ ଭିଡ଼ିଓ ସୁଟିଂ ଓ ଏଡ଼ିଟିଂ କୌଶଳ କର୍ମଶାଳାମାନ ଆୟୋଜନ କରି ସ୍ଥାନୀୟ ସାମ୍ୱାଦିକମାନଙ୍କୁ ଅଭ୍ୟସ୍ତ କରାଇଥିଲେ । ପ୍ରାଥମିକ ଅବସ୍ଥାରେ ସାମ୍ୱାଦିକମାନେ ନିଜ ନିଜ ସ୍ମାର୍ଟଫୋନରେ ସମ୍ୱାଦ ସଂଗ୍ରହ କରିବା ଆରମ୍ଭ କରିବା ପରେ ଉନ୍ନତଧରଣର ସୁଟିଂ, ଲାଇଟିଂ ଓ ଏଡ଼ିଟିଂ ଉପକରଣମାନ ଯୋଗାଇବା ବ୍ୟବସ୍ଥା କରାଯାଇଥିଲା ।


 

ସ୍ମାର୍ଟଫୋନରେ ମୋବାଇଲ ଆପ୍ଲିକେସନ ବ୍ୟବହାର କରି ଚ଼ିତ୍ର ଗ୍ରହଣ ଓ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଗୁଣବତ୍ତା ବଜାୟ ରଖାଯାଇପାରୁଛି ।‘ଫିଲମିକ୍-ପ୍ରୋ’ ଓ ‘କିନେ ମାଷ୍ଟର’ ଭଳି ଆପ ସୁଟିଂ ଓ ଏଡ଼ିଟିଂରେ ସହାୟକ ହେଉଥିବା ବେଳେ ‘ଉଇ-ଟ୍ରାନ୍ସଫର’ ଆପ ଯୋଗେ ଭିଡ଼ିଓ ଫାଇଲ ଘଟଣାସ୍ଥଳରୁ ପ୍ରସାରଣ କକ୍ଷକୁ ପ୍ରେରଣ ସମ୍ଭବପର ହୋଇପାରୁଛି । ସାଧାରଣ ଏଣ୍ଡ୍ରଏଡ଼ ସ୍ମାର୍ଟଫୋନରେ ଅଧିକ ମେଗାପିକ୍ସଲ ଓ ଅଧିକ ମେମୋରି ଉପଲବ୍ଧ ଥିଲେ ଭିଡ଼ିଓ ସାମ୍ୱାଦିକତା ନିମନ୍ତେ ପଥ ଉନ୍ମୁକ୍ତ ରହୁଛି ।


 

ଭାରତରେ ସ୍ମାର୍ଟଫୋନ ଯୋଗେ ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋଗ ଧାରା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସାରା ଦେଶରେ ପ୍ରାୟ ୧୧ କୋଟି ୫୦ ଲକ୍ଷରୁ ୧୨ କୋଟି ୫୦ ଲକ୍ଷ ସ୍ମାର୍ଟଫୋନ ବ୍ୟବହୃତ ହେଉଛି । ୨୦୧୭ ସୁଦ୍ଧା ୪୫ କୋଟି ୫୦ ଲକ୍ଷ ଇଣ୍ଟରନେଟ ସଂଯୁକ୍ତି ଥିବାବେଳେ ୨୦୨୦ ବେଳକୁ ୭୦ କୋଟିକୁ ବୃଦ୍ଧି ପାଇବା ହିସାବ କରାଯାଏ । ଫଳରେ ସ୍ମାର୍ଟଫୋନ ବ୍ୟବହାର ସଂଖ୍ୟା ନିକଟ ଭବିଷ୍ୟତରେ ଆନୁପାତିକଭାବେ ବୃଦ୍ଧି ପାଇବା ନିଶ୍ଚିତ । ଟେଲିଭିଜନ ପରଦା ତୁଳନାରେ ସ୍ମାର୍ଟଫୋନ ପରଦା ଛୋଟ । ଅପରପକ୍ଷେ ୪ ଜି ବୈଷୟିକ କୌଶଳ ଇଣ୍ଟରନେଟ ଯୋଗେ ସ୍ୱଷ୍ଟ ପ୍ରସାରଣରେ ପର୍ଯ୍ୟବସିତ ହେଉଛି । ଏତଏବ ସ୍ମାର୍ଟଫୋନରେ ଚ଼ିତ୍ରଗ୍ରହଣ ପ୍ରକାରନ୍ତେ ପରିବର୍ତ୍ତିତ ପରିପ୍ରେକ୍ଷୀରେ ଟେଲିଭିଜନ କାର୍ଯ୍ୟକ୍ରମର ଗୁଣବତ୍ତା ବଜାୟ ରଖିବା ସମ୍ଭବପର । ଦ୍ୱିତୀୟତଃ ଅନ୍ୟାନ୍ୟ ମଞ୍ଚ ତୁଳନାରେ ଭିଡ଼ିଓ ସାମ୍ୱାଦିକତାର ମୌଳିକତା ପରିପୃଷ୍ଟି ନିମନ୍ତେ ଅଧିକ ଲାଇଭ ସଟ ଆବଶ୍ୟକ କରେ । ଇଏନଜି ଉପକରଣ ବ୍ୟବହାରରେ ତାହା ସମ୍ଭବପର ହୋଇ ନ ପାରୁଥିବା ହେତୁ ମୋବାଇଲ ଜର୍ଣ୍ଣାଲିଜମ ଉପଯୋଗରେ ତାହା ସମ୍ଭବପର ବୋଲି ବିଚ଼ାର କରାଯାଇପାରେ ।ତୃତୀୟତଃ ଗଭୀର ଆଞ୍ଚଳିକତା ବା ହାଇପର ଲୋକାଲାଇଜେସନ କଭରେଜ ପାଇଁ ମୋବାଇଲ ଜର୍ଣ୍ଣାଲିଜମ ସହାୟକ ହେବ ।


 

କ୍ରମାଗତ କ୍ଷତି ସହ ଚାଲିଥିବା ଓଡ଼ିଆ ଟେଲିଭିଜନ ଶିଳ୍ପରେ ମୋବାଇଲ ଜର୍ଣ୍ଣାଲିଜମ ପ୍ରବର୍ତ୍ତନ ବହୁ ଦୃଷ୍ଟିରୁ ଲାଭଜନକ ମନେ ହୁଏ । ସମ୍ୱାଦପତ୍ର ପ୍ରକାଶନ ସହ ସଂଯୁକ୍ତ ଟେଲିଭିଜନ ଚ଼୍ୟାନେଲଗୁଡ଼ିକ ନିମନ୍ତେ ଗ୍ରାମାଞ୍ଚଳରେ ଅବସ୍ଥାପିତ ବିସ୍ତୃତ ସାମ୍ୱାଦିକ ଗୋଷ୍ଠୀ ଭିଡ଼ିଓ ସାଂବାଦିକତାରେ ପ୍ରବେଶ କଲେ କାର୍ଯ୍ୟକ୍ରମ ପ୍ରସ୍ତୁତି ଲାଗି ସୁବିସୃତ କ୍ଷେତ୍ର ପ୍ରସ୍ତୁତ ହୋଇପାରିବା ଆଶା କରାଯାଇପାରେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୯ ଡ଼ିସେମ୍ୱର ୨୦୧୭

ସ୍ମାର୍ଟଫୋନ ଆସକ୍ତିରୁ ନିବୃତ୍ତି 

ଭାରତରେ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ଅଗଷ୍ଟ ୨୦୨୩ ସୁଦ୍ଧା ୮୫ କୋଟି ଟପିଥିଲା । ‘ଟେଲକମ ରେଗୁଲେଟରୀ ଅଥାରିଟୀ ଅଫ ଇଣ୍ଡିଆ’ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ଟେଲକମ ସର୍ଭିସ ପେରଫରମାନ୍ସ ଇଣ୍ଡିକେଟରର୍ସ, ଜାନୁୟାରୀ-ମାର୍ଚ୍ଚ ୨୦୨୩’ ତଥ୍ୟ ଅନୁଯାୟୀ ୮୫ କୋଟି ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତାଙ୍କ ମଧ୍ୟରେ ୮୨ କୋଟି ୱାଏରଲେସ ବ୍ରଡ଼ବ୍ୟାଣ୍ଡ ବା ମୁଖ୍ୟତଃ ସ୍ମାର୍ଟଫୋନ ବ୍ୟବହାରକାରୀ ।

 

ଦିଲ୍ଲୀକେନ୍ଦ୍ରୀକ ଇଣ୍ଟରନେଟ ଚ଼ିନ୍ତନ ମଞ୍ଚ ଇସ୍ୟା ସେଣ୍ଟର ଓ ଅହମ୍ମଦାବାଦ ଇଣ୍ଡିଆନ ଇନିଷ୍ଟିଟିଉଟ ଅଫ ମ୍ୟାନେଜମେଣ୍ଟ ଆନୁକୂଲ୍ୟରେ ଅଗଷ୍ଟ ୨୦୨୩ରେ ପ୍ରକାଶିତ ‘ନ୍ୟୂ ଏଜ ଡିଜିଟାଲ ମିଡ଼ିଆ କନଜମ୍ପସନ : ଏ ସର୍ଭେ ଅଫ ସୋସିଆଲ ମିଡ଼ିଆ, ଓଟିଟି କଣ୍ଟେଣ୍ଟ, ଅନଲାଇନ ଗେମିଂ’ରେ ଦର୍ଶାଯାଇଥିଲା ଯେ ଭାରତୀୟମାନେ ଦୈନିକ ହାରାହାରି ୧୯୪ ମିନଟ ସୋସିଆଲ ମିଡ଼ିଆ ମଞ୍ଚରେ ଅତିବାହିତ କରିଥାନ୍ତି । ଏତଦ୍ ବ୍ୟତୀତ ୪୬ ମିନଟ ଅନଲାଇନ ଗେମିଂ ଓ ୪୪ ମିନଟ ଓଭର-ଦି-ଟପ ‘ଓଟିଟି’ ମଞ୍ଚରେ ଉପସ୍ଥିତ ରହନ୍ତି । ଏହି ସର୍ବେକ୍ଷଣରେ ଜାତୀୟସ୍ତରରେ ଦୁଇ ହଜାର ଇଣ୍ଟରନେଟ ଉପଭୋକ୍ତାଙ୍କ ସହ ସାକ୍ଷାତକାର ସଙ୍ଗେ ସ୍ମାର୍ଟଫୋନରେ ବ୍ୟବହୃତ ୧୩୪ ଗୋଟି ମୋବାଇଲ ଆପରେ କୋଡ଼ିଏ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟବହାରକାରୀଙ୍କ ଗତିବିଧି ଅନୁଶୀଳନ କରାଯାଇଥିଲା ।

 

ରିପୋର୍ଟରେ ଆହୁରି ସୂଚ଼ିତ ହୋଇଥିଲା ଯେ ସମଗ୍ର ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରୁ ୮୯ ପ୍ରତିଶତ ପ୍ରତିଦିନ ସୋସିଆଲ ମିଡ଼ିଆ ମଞ୍ଚ ପରିଦର୍ଶନ କରନ୍ତି । ସେହିପରି ୨୨ ପ୍ରତିଶତ ଓଟିଟି ମଞ୍ଚ ଓ ୧୨ ପ୍ରତିଶତ ଅନଲାଇନ ଗେମିଂ ଆପ ଦୈନିକ ବ୍ୟବହାର କରନ୍ତି । ସୋସିଆଲ ମିଡ଼ିଆରେ ଉପସ୍ଥିତି ଲାଗି ଶତ ପ୍ରତିଶତ ସ୍ମାର୍ଟଫୋନକୁ ମାଧ୍ୟମ ରୂପେ ଗ୍ରହଣ କରାଯାଏ । ଅର୍ଥାତ, ଭାରତରେ ୨୦୨୩ ମଧ୍ୟଭାଗ ସୁଦ୍ଧା ୮୨ କୋଟି ଇଣ୍ଟରନେଟ ଉପଭୋକ୍ତଙ୍କ ମଧ୍ୟରୁ ୭୪ କୋଟି ଦୈନିକ ହାରାହାରି ଚାରିଘଣ୍ଟା ଯାଏଁ  ସ୍ମାର୍ଟଫୋନରେ ବିତାଇଥାନ୍ତି । ଜଣେ ସ୍ମାର୍ଟଫୋନଧାରୀ ଯଦି ଦୈନିକ ଆଠ ଘଣ୍ଟା ନିଦ୍ରା ଯାଉଛି, ତେବେ ସଚ଼େତ ଥିବା ୧୬ ଘଣ୍ଟାରୁ ଚାରି ଘଣ୍ଟା ଅର୍ଥାତ ଏକ ଚତୁର୍ଥାଂଶ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଛି ।

 

ସମକାଳୀନ ଭାରତୀୟ ସମାଜରେ ପ୍ରାୟ ୬୦ ପ୍ରତିଶତ ନାଗରିକ ଦୈନନ୍ଦିନ ଦୀର୍ଘ ସମୟ ସ୍ମାର୍ଟଫୋନ ପରିବେଶରେ ଯୋଗାଯୋଗ, ବଜାରସଉଦା, ବ୍ୟାଙ୍କି, ଶିକ୍ଷା, ମନୋରଞ୍ଜନ ମଞ୍ଚରେ ସଂପୃକ୍ତ ରହୁଥିବା ସ୍ଥଳେ ବିଭିନ୍ନ ସୁବିଧାସୁଯୋଗ ସାଙ୍ଗକୁ ନକାରାତ୍ମକ ପ୍ରଭାବରେ ମଧ୍ୟ ଆକ୍ରାନ୍ତ ହୋଇପଡ଼ନ୍ତି । ମୁଖ୍ୟତଃ, ସୋସିଆଲ ମିଡ଼ିଆ, ଗେମିଂ ଓ ମନୋରଞ୍ଜନ ମଞ୍ଚ ପ୍ରତି ଆସକ୍ତିଭାବ ଉଦ୍ରେକ ଫଳରେ ସମସ୍ୟା ଉପୁଜିଥାଏ । ଆକ୍ରାନ୍ତ ଆସକ୍ତିରୁ ମୁକ୍ତି ନିମନ୍ତେ ଉପାୟ ଖୋଜିଥାଏ । କେତେକ କ୍ଷେତ୍ରରେ ଆସକ୍ତି ଉପଚାର ନିମନ୍ତେ ମନୋବିଜ୍ଞାନ ଚ଼ିକିତ୍ସା ଓ ଔଷଧର ସହାୟତା ନେବାକୁ ପଡ଼ିଥାଏ । ‘ଇଣ୍ଟରନେଟ ଡ଼ି-ଏଡିକସନ’ କ୍ରମଶଃ ଏକ ଜନସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ ହେବାରେ ଲାଗିଛି ।

 

ସୋସିଆଲ ମିଡ଼ିଆରେ ଦୀର୍ଘ ସମୟ ସଂପୃକ୍ତିଜନିତ ନକାରାତ୍ମକ ପ୍ରଭାବ ସଂପର୍କରେ ମନୋବିଜ୍ଞାନୀମାନେ ସଚ଼େତନ କରାଇଥାନ୍ତି । ପ୍ରଥମତଃ, ସୋସିଆଲ ମିଡ଼ିଆରେ ଉପଭୋକ୍ତାଙ୍କ ପରିଚ଼ିତବର୍ଗ ସାଧାରଣତଃ ଜୀବନର ସଫଳ ମୂହୂର୍ତ୍ତଗୁଡ଼ିକର ବର୍ଣ୍ଣନା କରିଥାନ୍ତି । ସ୍ଥଳବିଶେଷରେ ଅନ୍ୟମାନଙ୍କ ସଫଳତା, ଆନନ୍ଦଦାୟକ ଜୀବନଯାତ୍ରା ଅନ୍ୟକୁ ଏକ ରକମର ସାମାଜିକ ନ୍ୟୂନତା ଅନୁଭବରେ ପହୁଞ୍ଚାଇଦେଇଥାଏ । ଏହି ପରିସ୍ଥିତି ‘ଫିଅର ଅଫ ମିସିଙ୍ଗ ଆଉଟ’ ଭାବେ ପରିଚ଼ିତ । ଅର୍ଥାତ, ଅନ୍ୟମାନଙ୍କ ପରି ନିଜେ ସଫଳତା ହାସଲ ନିମନ୍ତେ ସୋସିଆଲ ମିଡ଼ିଆ ଉପଭୋକ୍ତା ଅବଚେତନସ୍ତରରେ ଉଦବିଗ୍ନ ହୋଇପଡ଼େ ।

 

ଦ୍ୱିତୀୟତଃ, ସୋସିଆଲ ମିଡ଼ିଆ ପୋଷ୍ଟଗୁଡ଼ିକର ଆଦୃତି ଲାଇକ, ସେୟାର ଓ କମେଣ୍ଟର ନିକିତିରେ ତଉଲାଯାଇଥାଏ । ମନୋବିଜ୍ଞାନୀମାନେ କହନ୍ତି ଯେ ଗୋଟିଏ ପୋଷ୍ଟ ଲାଇକ ପାଇବା ପରେ ମସ୍ତିସ୍କରୁ ଆନନ୍ଦଦାୟକ ରସାୟନ ‘ଡୋପାମାଇନ’ କ୍ଷରଣ ହୋଇଥାଏ । ‘ଇନଷ୍ଟାଣ୍ଟ ଗ୍ରାଟିଫିକେସନ’ ପ୍ରଭାବରେ ନିଜର ପୋଷ୍ଟ କିପରି ପାଠକୀୟ ସ୍ୱୀକୃତି ହାସଲ କରୁଛି, ତାହା ଉପଭୋକ୍ତା ସ୍ମାର୍ଟଫୋନରେ ବାରମ୍ୱାର ତନଖି କରିଥାଏ ।

 

ସାଧାରଣରେ ଅନ୍ୟର ପୋଷ୍ଟ ଲାଇକ କଲେ ଅନ୍ୟମାନେ ନିଜର ପୋଷ୍ଟ ଲାଇକ କରିବେ ବିଚାରରେ ଉପଭୋକ୍ତା ବହୁ ପୋଷ୍ଟ ଲାଇକ କରିବାରେ ସୋସିଆଲ ମିଡ଼ିଆ ମଞ୍ଚରେ ଦୀର୍ଘ ସମୟ କଟାଏ । ଏହି କ୍ରମାଗତ ପ୍ରକ୍ରିୟାର ଅନ୍ତନଥାଏ । ତେବେ ବିଡ଼ମ୍ୱନାର ବିଷୟ ଏହି ଯେ ଗବେଷଣାରୁ ଜଣାଯାଏ ଅନେକ କ୍ଷେତ୍ରରେ ସୋସିଆଲ ମିଡ଼ିଆ ପୋଷ୍ଟଗୁଡ଼ିକ ନପଢ଼ି ବହୁ ସଂଖ୍ୟକ ଲାଇକ କରିଥାନ୍ତି । ଏହା ଏକ ଐପଚାରକତାରେ ପରିଣତ ହୋଇଥାଏ ।

 

ତୃତୀୟତଃ, ନିଃସଙ୍ଗତାରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ସୋସିଆଲ ମିଡ଼ିଆ ଆଶ୍ରିତ ହୋଇଥାଏ । ତେବେ ଡ଼ିଜିଟାଲ ସଂପୃକ୍ତି ତତ୍ କ୍ଷଣାତ ନିଃସଙ୍ଗତା ଦୂରୀକରଣରେ ସହାୟକ ହେଉଥିଲେହେଁ ଦୀର୍ଘକାଳୀନ ପ୍ରଭାବ ନକାରାତ୍ମକ । ପାରିପାର୍ଶ୍ୱିକ ପରିବେଶରୁ ଦୂରେଇଯିବା ଫଳରେ ଉପଭୋକ୍ତା କ୍ରମଶଃ ଇଣ୍ଟରନେଟ ଓ ସ୍ମାର୍ଟଫୋନ ଆସକ୍ତ ହୋଇପଡ଼େ ।

 

ଗୁରୁତର ଇଣ୍ଟରନେଟ ଆସକ୍ତିର ଉଦାହରଣ ଦେଇ ବିଶେଷଜ୍ଞମାନେ କେତେକ ବ୍ୟକ୍ତି ଦୈନିକ ଆଠଘଣ୍ଟା ଯାଏଁ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଏବଂ ତିନି ଶହରୁ ଉର୍ଦ୍ଧ୍ୱ ପ୍ରାୟ ପ୍ରତି ଦୁଇମିନଟରେ ଥରେ ସ୍ମାର୍ଟଫୋନ ତନଖୁଥିବା ଉଦାହରଣ ଉପସ୍ଥାପନ କରିଥାନ୍ତି । ସ୍ମାର୍ଟଫୋନରେ ଓଟିଟି ମଞ୍ଚଗୁଡ଼ିକରେ ସ୍ଥାନିତ ଦୀର୍ଘ ଚଳଚ଼ିତ୍ର ଅଧ୍ୟାୟଗୁଡ଼ିକ ଧାରାବାହିକ ଭାବେ ଦେଖିବାକୁ ‘ବିଙ୍ଗ ୱାଚିଂ’ କୁହାଯାଏ । ବିଶେଷକରି ଅପରାଧିକ ଅଧ୍ୟାୟଗୁଡ଼ିକ କ୍ରମାଗତଭାବେ ଦେଖିବା ଫଳରେ ଭୟାତୁର ମାନସିକ ପରିବେଶ ସୃଷ୍ଟି ହେଉଥିବା ଜଣାଯାଏ । ଇଣ୍ଟରନେଟ ଆସକ୍ତିରୁ ଉଦବିଗ୍ନତା ‘ଏଙ୍ଗଜାଇଟି’ ଓ ରୋଷ ‘ଏଙ୍ଗର’ ଉଦ୍ରେକ ହୋଇଥାଏ ।

 

ସାଂପ୍ରତିକ ସାମାଜିକ ପୃଷ୍ଠଭୂମିରେ ସ୍ମାର୍ଟଫୋନ ଆସକ୍ତି ଏକ ଅସମାହିତ ସମସ୍ୟା । ପ୍ରଦ୍ୟୋଗୀକି ବିଶେଷଜ୍ଞ ଓ ମନୋବିଜ୍ଞାନୀମାନେ ସ୍ମାର୍ଟଫୋନ ଆସକ୍ତିରୁ ନିବୃତ୍ତିଲାଗି ବିଭିନ୍ନ ପରାମର୍ଶ ପ୍ରଦାନ କରିଥାନ୍ତି । ତେବେ ସାଧାରଣରେ କେତେକ ଅଭ୍ୟାସ ଚର୍ଚ୍ଚିତ । ପ୍ରଥମତଃ, ସଦାସର୍ବଦା ସ୍ମାର୍ଟଫୋନ ସାଥିରେ ଥିଲେହେଁ ପ୍ରତିଦିନ କେଉଁ ସମୟରେ କେତେ ସମୟ ସୋସିଆଲ ମିଡ଼ିଆ ମଞ୍ଚ ପରିଦର୍ଶନ କରିବେ, ତାହା ନିର୍ଦ୍ଧାରଣ କରି ଅନୁପାଳନ କରିବା ଉଚ଼ିତ । ଦ୍ୱିତୀୟତଃ, ସ୍ମାର୍ଟଫୋନ ଲ୍ୟାପଟପ ଭଳି ସାଜସରଞ୍ଜାମଠାରୁ ଦିନରେ କିଛି ସମୟ ବା ସପ୍ତାହରେ ଦିନେ ଦୁଇଦିନ ଦୂରେଇ ରହିଲେ ସୁଫଳ ମିଳିଥାଏ ।

 

ତୃତୀୟତଃ, ବ୍ୟାୟାମ, କ୍ରୀଡ଼ା ଓ ସାମାଜିକ ସମାବେଶରେ ଯୋଗଦାନ ଅନଲାଇନ ଉପସ୍ଥିତିରୁ ନିବୃତ୍ତି ଲାଗି ସୁଯୋଗ ସୃଷ୍ଟିକରେ । ଚ଼ତୁର୍ଥତଃ, ଧ୍ୟାନ ଯୋଗ ଭଳି ଅଭ୍ୟାସ ମାନସିକସ୍ତରରେ ସନ୍ତୁଳନ ଆଣିପାରେ । ପଞ୍ଚମତଃ, ବ୍ୟକ୍ତିଗତ ଉଦ୍ୟମ ସତ୍ତ୍ୱେ ଆସକ୍ତିରୁ ମୁକ୍ତି ନପାଇପାରିଲେ ବିଶେଷଜ୍ଞଙ୍କ ପରାମର୍ଶ ନେବା ବା ଚିକିତ୍ସାଧୀନ ହେବା ଲାଭଦାୟକ ପ୍ରମାଣିତ ।

 

ସ୍ମାର୍ଟଫୋନରେ ସଂଯୋଜିତ ଆପ୍ଲିକେସନଗୁଡ଼ିକ ବ୍ୟକ୍ତିର ରୁଚ଼ି, ଆଗ୍ରହ ଓ ଦୁର୍ବଳତାକୁ ପୁଞ୍ଜିକରି ଗଢ଼ି ଉଠିଥିବା କାରଣରୁ ଥରେ ବ୍ୟବହାରରେ ଅଭ୍ୟସ୍ତ ହେଲେ ଦୂରେଇଯିବା ଦୁରୁହ ବ୍ୟାପାର ହୋଇପଡ଼େ । ସ୍ମାର୍ଟଫୋନରେ ଯୋଗାଯୋଗଠାରୁ ବିତ୍ତ, ସ୍ୱାସ୍ଥ୍ୟ, ବଜାରସଉଦା, ମନୋରଞ୍ଜନ ସମସ୍ତ ସେବା ଯୋଡ଼ିହୋଇଥିବା ହେତୁ ବିନା ସ୍ମାର୍ଟଫୋନରେ ଜୀବନ ଅସହଜ ମନେହୁଏ । ଛାତ୍ର, ଶିକ୍ଷକ ଓ ଚ଼ିନ୍ତକମାନେ ସ୍ମାର୍ଟଫୋନ ବା ଟେବଲେଟରେ ଗ୍ରନ୍ଥାଗାର ସାଙ୍ଗକୁ ସୃଜନ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ପ୍ରଶ୍ନର ମୌଳିକ ଉତ୍ତର ପାଇପାରୁଥିବା ତଥା ରଚନା ପ୍ରକ୍ରିୟାକରଣରେ ବିଭିନ୍ନ ସହାୟତା କାରଣରୁ ଅଧ୍ୟୟନରେ ସ୍ମାର୍ଟଫୋନର ମାୟାରୁ ବର୍ତ୍ତିବାରେ ନିରୂପାୟ ।

 

ତେବେ ଏତାଦୃଶ ପରିବେଶର ମୁକାବିଲା କରିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିବିଶେଷ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିପାରିବେ । ଏହି ରଚନାର ଲେଖକ କଥାବାର୍ତ୍ତା ହେବାଲାଗି ଏକ ଫିଚ଼ର ଫୋନ ଓ ଅନ୍ୟ ଏକ ଇଣ୍ଟରନେଟ ସଂଯୁକ୍ତ ଟେବଲେଟ ବ୍ୟବହାର କରେ । ଫିଚ଼ର ଫୋନ ଅନବରତ ପାଖରେ ଥିବା ବେଳେ ଟେବଲେଟ ଆବଶ୍ୟକ ସମୟରେ ପାଖକୁ ଆଣୁଥିବା ହେତୁ ଇଣ୍ଟରନେଟ ଓ ସ୍ମାର୍ଟଫୋନ ପ୍ରଭାବରୁ ଦୀର୍ଘ ସମୟ ଦୂରେଇ ରହେ । ଏହା ଏକ ଉଦାହରଣ ମାତ୍ର । ସାଧ୍ୟମତେ ସଂଜମ ସୁଫଳ ପ୍ରଦାନ କରିବା ସମ୍ଭବ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୦ ନଭେମ୍ୱର ୨୦୨୩

ତଥ୍ୟ:

 

Telcom Regulatory Authority of India (TRAI). Indian Telcom Service Performance Indicators, January – March 2023.

 

Sharma, Gunjan. Health experts flag new epidemic, all because of Internet addiction. www.citizenmatters.in, November 2, 2023.

 

https://citizenmatters.in/internet-addiction-binge-watching-impact-on-behaviour-health-34500