ଇଣ୍ଟରନେଟ

ତିରିଶି ବର୍ଷରେ ୱେବ

ୱାର୍ଲଡ-ୱାଇଡ଼-ୱେବ ପ୍ରଚଳନର ତିରିଶି ବର୍ଷ ୧୨ ମାର୍ଚ୍ଚ ୨୦୧୯ରେ ପୂର୍ତ୍ତି ହୋଇଛି । ତିନି ଦଶନ୍ଧି ପୂର୍ବେ ‘ୟୁରୋପିଆନ ଅର୍ଗାନାଇଜେସନ ଫର ନିଉକ୍ଳିୟର ରିସର୍ଚ୍ଚ’ଠାରେ ଏହାର ଉଦ୍ଭାବକ ଟିମ ବେର୍ଣ୍ଣରସ-ଲି ୧୨ ମାର୍ଚ୍ଚ ୧୯୮୯ ଏକ ଦଲିଲ ପ୍ରକାଶନ ମାଧ୍ୟମରେ ୱେବ ବ୍ରାଉଜର ପ୍ରଚଳନ କରିଥିଲେ । ଏହା ଇଣ୍ଟରନେଟ ବ୍ୟବହାର ନିମନ୍ତେ ଭିତ୍ତିଭୂମି ସୃଷ୍ଟି କରିଥିଲା । ସରଳ ଅର୍ଥରେ ‘ଇଣ୍ଟରନେଟ’ ବିଶ୍ୱବ୍ୟାପୀ କାର୍ଯ୍ୟକ୍ଷମ କମ୍ପୁଟରଗୁଡ଼ିକର ମେଣ୍ଟକୁ ବୁଝାଉଥିବା ସ୍ଥଳେ ‘ୱେବ’ ଇଣ୍ଟରନେଟ ମାଧ୍ୟମରେ ଗଚ୍ଛିତ ତଥ୍ୟାବଳୀ ଆହରଣକୁ ବୁଝାଏ ।


 

୨୦୧୮ ଶେଷ ସୁଦ୍ଧା ବିଶ୍ୱ ଜନସଂଖ୍ୟାର ଅର୍ଦ୍ଧେକ ଇଣ୍ଟରନେଟ ସହ ସଂଯୁକ୍ତ ହୋଇସାରିଥିବା ସ୍ଥଳେ ଅନ୍ୟ ଅର୍ଦ୍ଧେକଙ୍କ ମଧ୍ୟରେ ସଂଯୁକ୍ତିଲାଗି ଉଦ୍ୟମ ଅବ୍ୟାହତ ରହିଛି । ବିକଶିତ ରାଷ୍ଟ୍ରଗୁଡ଼ିକରେ ଉପଭୋକ୍ତାମାନେ ଦୈନିକ ପ୍ରାୟ ଏକ ତୃତୀୟାଂଶ ସମୟ ଇଣ୍ଟରନେଟ ଉପଯୋଗରେ କଟାଉଥିବା ସ୍ଥଳେ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଯୋଗାଯୋଗଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପ୍ରଶାସନ ତଥା ପ୍ରତିରକ୍ଷା ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ସାଧାରଣ ଜୀବନରେ ବିଭିନ୍ନ କାର୍ଯ୍ୟ ଇଣ୍ଟରନେଟଆଶ୍ରିତ ହୋଇପଡିଥିବା ହେତୁ ଇଣ୍ଟରନେଟ ଅଭାବରେ ଜୀବନଚ଼ର୍ଯ୍ୟା ଅସମ୍ଭବ ବୋଧ ହେବାରେ ଲାଗିଲାଣି ।


 

ୱାର୍ଲଡ଼-ୱାଇଡ଼-ୱେବର ଅସାଧାରଣ ପ୍ରଗତି ସତ୍ତ୍ୱେ ଏହାର ୩୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଅନେକଙ୍କ ମନରେ ଏହାର ପ୍ରତିକୂଳ ପ୍ରଭାବ ଏକ ପ୍ରଶ୍ନବାଚୀ ରୂପେ ଉଭା ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଖୋଦ ଏହାର ଉଦ୍ଭାବକ ଟିମ ବେର୍ଣ୍ଣରସ-ଲି କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଯେଉଁ ସ୍ୱପ୍ନକୁ ନେଇ ୱେବ କଳା-କୌଶଳ ବିକଶିତ କରାଯାଇଥିଲା ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ଅପରପକ୍ଷେ ଇଣ୍ଟରନେଟ ମଞ୍ଚରେ ଗାଳିଗୁଲଜ, ଗୁଜବ ଓ ଅସତ୍ୟ ସମ୍ୱାଦ ପରିବେଷଣ ତଥା ଉପଭୋକ୍ତାଙ୍କ ଗୋପନୀୟତା ଉଲଂଘନ ଭଳି ସମସ୍ୟାମାନ ଏହାର ସାକାରତ୍ମକ ଦିଗକୁ ମଳିନ କରିପକାଉଛି ।


 

ଟିମ ବେର୍ଣ୍ଣରସ-ଲିଙ୍କ ଦ୍ୱାରା ସଂସ୍ଥାପିତ ‘ୱେର୍ଲଡ଼-ୱାଇଡ଼-ୱେବ ଫାଉଣ୍ଡେସନ’ ପକ୍ଷରୁ ଇଣ୍ଟରନେଟର ଉଚ଼ିତ ବ୍ୟବହାର ନିମନ୍ତେ ଭିତ୍ତିଭୂମି ଗଢ଼ି ତୋଳିବା ଲାଗି ଏକ ଆଚ଼ରଣ ସଂହିତା ପ୍ରକାଶିତ ହୋଇଛି । ଇଣ୍ଟରନେଟ ବ୍ୟବହାର ଲାଗି ଉଦ୍ଧିଷ୍ଟ ଏହି ଚୁକ୍ତିନାମାରେ ସରକାର, ଇଣ୍ଟରନେଟ ମଞ୍ଚ ପରିଚ଼ାଳକ ବ୍ୟାବସାୟିକ ପ୍ରତିଷ୍ଠାନ ତଥା ଉପଭୋକ୍ତାମାନେ ମାନବିକ ଦିଗପ୍ରତି ସଚ଼େତନ ରହିବାଲାଗି ପରାମର୍ଶ ଦିଆଯାଇଛି ।


 

ଆନ୍ତର୍ଜାତିକସ୍ତରରେ ବିଭିନ୍ନ ରାଷ୍ଟ୍ରର ସରକାର ନିଜ ନିଜ ଦେଶର ସମସ୍ତ ନାଗରିକ ଯେପରି ଇଣ୍ଟରନେଟ ସେବା ସହ ସଂଯୁକ୍ତ ହୋଇପାରିବେ ସେଥିପ୍ରତି ପଦକ୍ଷେପ ଗ୍ରହଣ କରିବା ସହ ଏହାର ସ୍ୱାଧୀନତା ଓ ଉପଭୋକ୍ତାଙ୍କ ଗୋପନୀୟତାର ସୁରକ୍ଷାଲାଗି ଗୁରୁତ୍ୱ ଦେବା ଉଚ଼ିତ । ଇଣ୍ଟରନେଟ ମଞ୍ଚ ପରିଚ଼ାଳକ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ଏଭଳି ସେବା ଉପଭୋକ୍ତାଙ୍କ ଲାଗି ଆର୍ଥିକ ବୋଝ ରୂପେ ନଗଢ଼ିତୋଳିବା ତଥା ସର୍ବସାଧାରଣଙ୍କ ହିତଲାଗି ବୈଷୟିକ କଳାକୌଶଳ ବିକଶିତ କରିବାରେ ବ୍ରତୀ ହେବା ଆବଶ୍ୟକ । ସେହିପରି ଉପଭୋକ୍ତାମାନେ ସାମାଜିକ ମୂଲ୍ୟବୋଧର ସୁରକ୍ଷାଲାଗି ପ୍ରତିଶୃତିବଦ୍ଧ ହେବା ବିଧେୟ ।


 

ଇଣ୍ଟରନେଟର ୩୦ତମ ବାର୍ଷିକୀ ପାଳନର ଠିକ ପୂର୍ବରୁ ୨୦୧୯ ମାର୍ଚ୍ଚ ୭ ତାରିଖରେ ସର୍ବବୃହତ୍ତ ଇଣ୍ଟରନେଟ ମଞ୍ଚ ‘ଫେସବୁକ’ର ଅଧ୍ୟକ୍ଷ ମାର୍କ ଜୁକେରବର୍ଗ ସଂପୃକ୍ତ ମଞ୍ଚର ଭବିଷ୍ୟତ ଦିଗଦର୍ଶନ ବର୍ଣ୍ଣନାକରି ଏକ ରଚ଼ନା ପ୍ରକାଶ କରିଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ ‘ଫେସବୁକ’ ମଞ୍ଚରେ ଉପଭୋକ୍ତାଙ୍କ ଗୋପନୀୟତାର ସୁରକ୍ଷାପ୍ରତି ଅଧିକ ଗୁରୁତ୍ୱ ଦିଆଯିବା ନିମନ୍ତେ କାରିଗରୀ କୌଶଳ ବିକାଶ କରାଯିବ ।


 

ମୁଖ୍ୟତଃ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚ଼ନ ପରବର୍ତ୍ତୀ ଅବସ୍ଥାରେ ଜୁକେରବର୍ଗଙ୍କ ମାଲିକାନାରେ ପରିଚ଼ାଳିତ ଫେସବୁକ, ହ୍ୱାଟସଅପ ଓ ଇନଷ୍ଟ୍ରାଗ୍ରାମ ମଞ୍ଚରେ ଗୁଜବ, ଅସତ୍ୟ ଓ ଗାଳିଗୁଲଜ ପ୍ରସାରଣ ତଥା ଉପଭୋକ୍ତାଙ୍କ ତଥ୍ୟ ପ୍ରଘଟନ ଭଳି ସମସ୍ୟାରେ ଛନ୍ଦି ହୋଇ ପଡ଼ିଛି । ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରର ସରକାର ଏଦିଗରେ ତ୍ୱରିତ ପଦକ୍ଷେପ ନେବା ନିମନ୍ତେ ତାଗିଦ କରିଛନ୍ତି ଏବଂ ସ୍ଥଳବିଶେଷରେ ନୂତନ ଆଇନ କାନୁନ ପ୍ରଣୟନ କରି ଇଣ୍ଟରନେଟ ମଞ୍ଚଗୁଡ଼ିକୁ ଶୃଙ୍ଖଳିତ କରିବା ନିମନ୍ତେ ତତ୍ପରତା ପ୍ରକାଶ କରିଛନ୍ତି । ଏଭଳି ପରିବେଶରେ ମଞ୍ଚ ପରିଚ଼ାଳକମାନେ ଆକ୍ରୋଶର ଶୀକାର ହୋଇପଡୁଛନ୍ତି ।


 

ଇଣ୍ଟରନେଟ ୩୦ ବର୍ଷ ଧରି ବିକଶିତ ହୋଇଚ଼ାଲିଥିବା ବେଳେ ‘ଫେସବୁକ’ ୧୫ ବର୍ଷ ଅବିରତ ଉଦ୍ୟମରେ ସାମାଜିକ ଗଣମାଧ୍ୟମର ପ୍ରମୁଖ ମଞ୍ଚରୂପେ ଅବତୀର୍ଣ୍ଣ ହୋଇଛି । ଜୁକରବର୍ଗଙ୍କ ଦୃଷ୍ଟିରେ ଭବିଷ୍ୟତରେ ଉପଭୋକ୍ତାମାନେ ପ୍ରଚଳିତ ମୁକ୍ତ ସାମାଜିକ ଗଣମାଧ୍ୟମ ତୁଳନାରେ ଗୋପନୀୟତାକୁ ପ୍ରାଧାନ୍ୟ ଦେବେ । ଅର୍ଥାତ ଜଣେ ଅନ୍ୟ ଜଣକ ସହ ସଂପର୍କ ସ୍ଥାପନ କରିବା କିମ୍ୱା ସୀମିତ ସଂଖ୍ୟକ ଉପଭୋକ୍ତାଙ୍କ ସହ ଆଳାପଆଲୋଚ଼ନା କରିବା ନିମନ୍ତେ ଆଗ୍ରାହାନ୍ୱିତ ହେବେ । ଏଥି ସହ ଉପଭୋକ୍ତାମାନେ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରୁଥିବା ଟେକ୍ସଟ, ଅଡ଼ିଓ ବା ଭିଡ଼ିଓ ଦୀର୍ଘକାଳ ଯାଏଁ ଲିପିବଦ୍ଧ ରହିବା ଧାରାକୁ ପସନ୍ଦ କରିବେ ନାହିଁ । କାରଣ ପ୍ରକାଶିତ ତଥ୍ୟାବଳୀ ଭବିଷ୍ୟତରେ ଉପଭୋକ୍ତାଙ୍କୁ ଅଶ୍ୱସ୍ତିକର ବୋଧ ହୋଇପାରେ । ଏଭଳି ଉପଲବ୍ଧିକୁ ପାଥେୟ କରି ‘ଫେସବୁକ’ ହ୍ୱାଟସଆପ ଓ ଇନଷ୍ଟ୍ରାଗ୍ରାମ ସହାୟତାରେ ଏକ ନୂତନ ଯୋଗାଯୋଗ ମଡ଼େଲ ସୃଷ୍ଟି ନିମନ୍ତେ ଉଦ୍ୟମ କରିବ ।


 

ମୁଦ୍ରଣ, ରେଡ଼ିଓ ଓ ଟେଲିଭିଜନର ବିକାଶ କାଳରେ ମୁଦ୍ରଣ ଗଣମାଧ୍ୟମକୁ ନେଇ ଗଢ଼ି ଉଠିଥିବା ନୀତିନିୟମ ଇଣ୍ଟରନେଟ ନିମନ୍ତେ ମଧ୍ୟ ବିଶ୍ୱବ୍ୟାପୀ ପ୍ରଯୁଜ୍ୟ ଥିବା ଲକ୍ଷ୍ୟ କରାଯାଏ । ମୂଳରୁ ‘ପ୍ରକାଶନ’ର ଅର୍ଥ ତୃତୀୟପକ୍ଷର ଉପସ୍ଥିତିକୁ ବୁଝାଇ ଆସିଛି । ଫଳରେ ବିଭିନ୍ନ କ୍ଷେତ୍ରରେ ‘ଫେସବୁକ’ ଭଳି ଇଣ୍ଟରନେଟ ମଞ୍ଚଗୁଡ଼ିକ ପୁରୁଣାକାଳିଆ ଆଇନ କାନୁନରେ ଧନ୍ଦି ହୋଇଯାଉଛନ୍ତି । ‘ଫେସବୁକ’ର ବ୍ୟାପ୍ତି ସଙ୍ଗେ ଏହାର ଉପଯୋଗ ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି । ଏଥିରୁ ମୁକ୍ତି ପାଇବା ନିମନ୍ତେ ‘ଫେସବୁକ’ ପକ୍ଷରେ ପ୍ରଚଳିତ ମଡ଼େଲର ପରିବର୍ତ୍ତନ ଭିନ୍ନ ଅନ୍ୟ ଗତି ନଥିବା ବିଚ଼ାର କରାଯାଏ ।


 

ଏହା ସର୍ବଜନ ସ୍ୱୀକୃତ ଯେ ବିଗତ ତିନି ଦଶନ୍ଧି ଧରି ବିଶ୍ୱବ୍ୟାପୀ ସାମାଜିକସ୍ତରରେ ବିଭିନ୍ନ କାରିଗରୀ କୌଶଳ ଉପଯୋଗରେ ଯେଉଁ ପରିବର୍ତ୍ତନ ସଂଭବପର ହୋଇଛି ତାହାର ଅତୀତ ମାନବ ସଭ୍ୟତାରେ ନଜିର ନାହିଁ । ପରିବର୍ତ୍ତିତ ପରିବେଶ ନୂତନ ସମସ୍ୟାମାନ ସୃଷ୍ଟି କରିବା ସ୍ୱାଭାବିକ । ତେବେ ସେଗୁଡ଼ିକର ସମୟୋଚ଼ିତ ମୁକାବିଲା ମଧ୍ୟ ସଂଭବପର । ଇଣ୍ଟରନେଟ କ୍ଷେତ୍ରରେମଧ୍ୟ ତାହା ପ୍ରଯୁଜ୍ୟ । ନୂତନ ସଂଭାବନାଗୁଡ଼ିକୁ ଏଡ଼ାଇ ଦେଇ ହେବ ନାହିଁ, ସେଥିପ୍ରତି ପ୍ରସ୍ତୁତ ରହିଲେ ଉପଯୋଗ ସହଜପ୍ରଦ ହେବ ।


 

‘ଫେସବୁକ’ ପାଇଁ ଜୁକରବର୍ଗଙ୍କ ଦୂରଦୃଷ୍ଟି ଇଣ୍ଟରନେଟରେ ସାମାଜିକ ଗଣମାଧ୍ୟମର ଭବିଷ୍ୟତ ନିର୍ଦ୍ଧାରଣରେ ସୁଦୂରପ୍ରସାରୀ ପ୍ରଭାବ ବିସ୍ତାର କରିବା ଆଶା କରାଯାଇପାରେ । ଇଣ୍ଟରନେଟ ମଞ୍ଚରେ ଉପଭୋକ୍ତାମାନେ କ୍ରମଶଃ ସର୍ବସାଧାରଣରୁ ବ୍ୟକ୍ତିଗତ କିମ୍ୱା ଅନୁମୋଦିତ ସ୍ତରକୁ ଓହ୍ଳାଇବା ତଥା ଗୋପନୀୟତାକୁ ଗୁରୁତ୍ୱ ଦେବା ଏକ ନୂତନ ପରିବେଶ ସ଼ୃଷ୍ଟି କରିବ । ଯୋଗାଯୋଗ କ୍ଷେତ୍ରରେ ଅନାବଶ୍ୟକ ସରକାରୀ ହସ୍ତକ୍ଷେପ ପ୍ରତିହତ କରିବା ନିମନ୍ତେ କାରିଗରୀ କୌଶଳ ବିକାଶ ଓ ପ୍ରକାଶନ ଧାରାରେ ପରିବର୍ତ୍ତନ ପ୍ରାଥମିକତା ଲାଭ କରିବା ଯୁକ୍ତିଯୁକ୍ତ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ମାର୍ଚ୍ଚ ୨୦୧୯


ତଥ୍ୟ:

 


At age 30, World Wide Web is ‘not the web we wanted’. Business Standard (Bhubaneswar Edition). March 13, 2019.


 

Zuckerberg, Mark. A privacy-focused vision for social networking. Facebook. March 7, 2019 


< https://m.facebook.com/notes/mark-zuckerberg/a-privacy-focused-vision-for-social-networking/10156700570096634/>

ଭାରତରେ ଇଣ୍ଟରନେଟ ସେବାର ୨୫ ବର୍ଷ

ଭାରତରେ ୨୦୨୦ ଅଗଷ୍ଟ ମାସ ସୁଦ୍ଧା ଇଣ୍ଟରନେଟ ସଂଯୋଗ ସଂଖ୍ୟା ୭୫ କୋଟିରେ ପହଞ୍ଚିଥିବା ହିସାବ କରାଯାଏ । ‘ଟେଲିକମ ରେଗୁଲେଟରି ଅଥାରିଟି ଅଫ ଇଣ୍ଡିଆ’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୦ ଜୁନ ମାସଶେଷରେ ଇଣ୍ଟରନେଟ ସଂଯୁକ୍ତି ୭୪ କୋଟି ୯୦ ଲକ୍ଷ। ଏଥି ମଧ୍ୟରେ ୬୯ କୋଟି ୨୦ ଲକ୍ଷ ବ୍ରଡ଼ବ୍ୟାଣ୍ଡ ଓ ୫ କୋଟି ୮୦ ଲକ୍ଷ ନେରୋବ୍ୟାଣ୍ଡ ଅନ୍ତର୍ଭୁକ୍ତ । ଇଣ୍ଟରନେଟ ସଂଯୁକ୍ତିରେ ୭୨ କୋଟି ୬୦ ଲକ୍ଷ ୱାଏରଲେସ ଓ ୨ କୋଟି ୩୦ ଲକ୍ଷ ୱାଏରଡ଼ । ସମୁଦାୟ ଇଣ୍ଟରନେଟ ବ୍ୟବହାର ମଧ୍ୟରେ ୯୭ ପ୍ରତିଶତ ମୋବାଇଲ ଫୋନ ତଥା ଅନ୍ୟାନ୍ୟ ମୋବାଇଲ ଡ଼ିଭାଇସେସ ଦ୍ୱାରା ସମ୍ପନ୍ନ ହୋଇଥାଏ ।


 

ଦେଶରେ ୧୫ ଅଗଷ୍ଟ ୧୯୯୫ରେ ବିଦେଶ ସଞ୍ଚାର ନିଗମ ଲିମିଟେଡ଼ ଆନୁକୂଲ୍ୟରେ ଜନସାଧାରଣଙ୍କ ନିମନ୍ତେ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା । ଗତ ୨୫ ବର୍ଷ ମଧ୍ୟରେ ଇଣ୍ଟରନେଟ ସଂଯୁକ୍ତି ସଂଖ୍ୟା ୭୫ କୋଟିକୁ ବୃଦ୍ଧି ପାଇଥିଲେ ହେଁ ଉପଭୋକ୍ତା ସଂଖ୍ୟା ୪୭ କୋଟି ୫୦ ଲକ୍ଷରେ ସୀମିତ ଥିବା ଆକଳନ କରାଯାଏ । କାରଣ ବହୁ ସଂଖ୍ୟକ ଉପଭୋକ୍ତା ଏକାଧିକ ସଂଯୁକ୍ତି ରଖିଥିବା ବିଶ୍ୱାସଯୋଗ୍ୟ । ଏକ ହିସାବ ଅନୁଯାୟୀ ୨୦୧୮ରେ ୫୬ କୋଟି ଇଣ୍ଟରନେଟ ସଂଯୁକ୍ତି ଥିବା ସ୍ଥଳେ ପ୍ରକୃତ ଉପଭୋକ୍ତା ସଂଖ୍ୟା ୩୫ କୋଟି ରହିଥିଲା । ଅତଏବ ୨୦୨୦ ଶେଷ ସୁଦ୍ଧା ପ୍ରାୟ ୫୦ କୋଟି ପ୍ରକୃତ ଉପଭୋକ୍ତା ଥିବା ବିଶ୍ୱାସ କରାଯାଇପାରେ ।


 

ଇଣ୍ଟରନେଟ ବ୍ୟାପ୍ତିରେ ୨୦୧୫ରେ ଡ଼ିଜିଟାଲ ଇଣ୍ଡିଆ ପ୍ରକଳ୍ପ ଆରମ୍ଭ ଏବଂ ୨୦୧୬ରେ ରିଲାଏନ୍ସ ଜିଓ ପକ୍ଷରୁ ୪ଜି ଟେଲିଯୋଗାଯୋଗ ସେବା ପ୍ରଚଳନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଇଣ୍ଟରନେଟ ଉପଭୋକ୍ତା ସଂଖ୍ୟା ୨୦୧୬ ମାର୍ଚ୍ଚରେ ୩୪ କୋଟି ଥିବା ସ୍ଥଳେ ତାହା କ୍ରମାଗତଭାବେ ବୃଦ୍ଧି ପାଇ ୨୦୧୭ ମାର୍ଚ୍ଚରେ ୪୨ କୋଟି, ୨୦୧୮ ସେପ୍ଟେମ୍ବରରେ ୫୬ କୋଟି ଏବଂ ୨୦୨୦ ଅଗଷ୍ଟରେ ୭୬ କୋଟିରେ ପହଞ୍ଚିଥିଲା । ସଂଖ୍ୟାଧିକ ଇଣ୍ଟରନେଟ ସଂଯୁକ୍ତିରେ ପୁରୋଭାଗରେ ଥିବା ପାଞ୍ଚଗୋଟି ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ଗୁଜରାଟ ଓ କର୍ଣ୍ଣାଟକ ସାମିଲ ହୋଇଥାଏ ।


 

ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ୨୦୨୦ସୁଦ୍ଧା ୨୦ ରୁ ୨୯ ବର୍ଷ ବୟସବର୍ଗଙ୍କ ସଂଖ୍ୟା ପ୍ରଥମସ୍ଥାନ ଦାବୀ କରିଥାଏ । ତା’ପରକୁ କ୍ରମାନ୍ୱୟରେ ଦ୍ୱିତୀୟରେ ୩୦ ରୁ ୩୯ ବର୍ଷ ବର୍ଗ, ତୃତୀୟରେ ୧୬ ରୁ ୧୯ ବର୍ଷ ବର୍ଗ, ଚ଼ତୁର୍ଥରେ ୧୨ ରୁ ୧୫ ବର୍ଷ ବର୍ଗ ଏବଂ ସର୍ବଶେଷରେ ୫୦ ବର୍ଷରୁ ଉର୍ଦ୍ଧ୍ୱ ବୟସ ବର୍ଗର ସ୍ଥାନ । ସର୍ବାଧିକ ଉପଭୋକ୍ତା ବିଶିଷ୍ଟ୨୦ ରୁ ୨୯ ବର୍ଷ ବୟସବର୍ଗରେ ସମୁଦାୟ ଉପଭୋକ୍ତାଙ୍କ ମଧ୍ୟରୁ ୩୭ ପ୍ରତିଶତ ଗ୍ରାମାଞ୍ଚଳ ଓ ୩୧ ପ୍ରତିଶତ ସହରାଞ୍ଚଳ ବାସିନ୍ଦା । ଏହାର ଅର୍ଥ ଇଣ୍ଟରନେଟ ଗ୍ରାମାଞ୍ଚଳ ମୁହାଁ ହୋଇଛି ଏବଂ ନିକଟ ଭବିଷ୍ୟତରେ ଏହି ଧାରା ତ୍ୱରାନ୍ୱିତ ହେବ ।


 

ଭାରତୀୟ ଉପଭୋକ୍ତାଙ୍କ ମଧ୍ୟରେ ଇଣ୍ଟରନେଟ ଡ଼ାଟା ବ୍ୟବହାର ପରିମାଣ କ୍ରମଶଃ ବଢ଼ିଚାଲିଛି । ୨୦୧୪ରେ ବ୍ୟକ୍ତିପିଚ୍ଛା ଡ଼ାଟା ବ୍ୟବହାର ମାସିକ ୦.୩ ଗିଗା ବାଇଟ ଥିବା ସ୍ଥଳେ ୨୦୨୦ରେ ୧୨.୨ ଗିଗା ବାଇଟ ସ୍ତର ଛୁଇଁ ୨୦୨୫ ସୁଦ୍ଧା ଦ୍ୱିଗୁଣିତ ହୋଇ ୨୫ ଗିଗା ବାଇଟରେ ପହଞ୍ଚିବା ଆକଳନ କରାଯାଉଛି । ଉପଭୋକ୍ତାମାନେ ମୁଖ୍ୟତଃ ସ୍ମାର୍ଟଫୋନ ଯୋଗେ ମୋବାଇଲ ଇଣ୍ଟରନେଟ ବ୍ୟବହାରରେ ଅଭ୍ୟସ୍ତ ହୋଇ ସାରିଥିବା ଏବଂ ଦୀର୍ଘକାଳ ସ୍ମାର୍ଟଫୋନରେ ସଂପୃକ୍ତ ରହୁଥିବା ହେତୁ ଟେକ୍ସଟ ବଦଳରେ ଭିଡ଼ିଓର ଚାହିଦା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ବୃଦ୍ଧି ପାଇବା ଏହି ତଥ୍ୟାବଳୀରୁ ସ୍ପଷ୍ଟ ଅନୁମାନ କରାଯାଇପାରେ । ମନୋରଞ୍ଜନ କ୍ଷେତ୍ରରେ ଭିଡ଼ିଓ ଆସ୍ଥାନ ଜମାଇସାରିଥିବା ସ୍ଥଳେ ସୂଚନା, ଶିକ୍ଷା, ସ୍ଵାସ୍ଥ୍ୟ ଓ ଉତ୍ସବାନୁଷ୍ଠାନ ଆୟୋଜନ ଇତ୍ୟାଦି କ୍ଷେତ୍ରରେ ଭିଡ଼ିଓର ବ୍ୟବହାର ବଢ଼ିବ । ଭିଡ଼ିଓ ସାମ୍ୱାଦିକତା ଗଣମାଧ୍ୟମ ମଞ୍ଚଗୁଡ଼ିକରେ ନୂତନ ସମୀକରଣ ସୃଷ୍ଟି କରିବା ନିଶ୍ଚିତ ।


 

ଭାରତରେ ଇଣ୍ଟରନେଟ ସେବାର ବିଗତ ୨୫ ବର୍ଷର ଇତିହାସରେ ୧୯୯୫ରେ ସରକାରୀ ଉଦ୍ୟୋଗ ପକ୍ଷରୁ ସର୍ବସାଧାରଣରେ ଇଣ୍ଟରନେଟ ବ୍ୟବହାରର ସୁଯୋଗ ସୃଷ୍ଟି କରାଯିବା ପରେ ବ୍ୟାବସାୟିକସ୍ତରରେ ‘ରିଡ଼ିଫ-ଡ଼ଟ-କମ’ କାର୍ଯ୍ୟଆରମ୍ଭ କରିଥିଲା । ୧୯୯୮ରେ ‘ସିଫି-ଡ଼ଟ-କମ’ ଇଣ୍ଟରନେଟ ସଂଯୁକ୍ତି ପ୍ରଦାନ, ୨୦୦୩ରେ ଏୟାଟେଲ ପକ୍ଷରୁ ଏବଂ ୨୦୦୪ରେ ବିଏସଏନଏଲ ପକ୍ଷରୁ ବ୍ରଡ଼ବ୍ୟାଣ୍ଡ ସେବା ଉପଲବ୍ଧ ହୋଇଥିଲା । ୨୦୧୦ରେ ୩ଜି ନିଲାମ ଓ ୨୦୧୧ରେ ମୋବାଇଲ ନମ୍ୱର ପୋଟାବିଲିଟିର ସୁବିଧା ଅନ୍ୟତମ ମାଇଲଖୁଣ୍ଟ ।


 

ହିନ୍ଦି ଭାଷାରେ ପ୍ରଥମ ପୋର୍ଟାଲ‘ ୱେବ ଦୁନିଆ’ ୧୯୯୯ରେ ଉନ୍ମୋଚିତ ହୋଇଥିବାବେଳେ ୨୦୦୭ରେ ଗୁଗୁଲ ନିଉଜ ହିନ୍ଦିରେ ସମ୍ୱାଦ ପରିବେଷଣ ଆରମ୍ଭ ହୋଇଥିଲା । ୨୦୦୫ରେ ସୋସିଆଲ ମିଡ଼ିଆ ଅର୍କୁଟ, ୨୦୦୬ରେ ଫେସବୁକ ଓ ୨୦୦୭ରେ ଟୁଇଟର ପ୍ରବେଶ କରିଥିଲେ । ଇ-କମର୍ସ କ୍ଷେତ୍ରରେ ୨୦୦୩ରେ ଏୟାର ଡେକାନପ୍ରଥମଥର ପାଇଁ ବିମାନ ଯାତ୍ରା ଲାଗି ଅନଲାଇନ ଟିକଟ ବୁକିଂ ଆରମ୍ଭ କରିଥିବା ସ୍ଥଳେ ୨୦୧୪ରେ ଭାରତ ବିଶ୍ୱର ତୃତୀୟ ବୃହତ ଅନ-ଲାଇନ ମାର୍କେଟର ମାନ୍ୟତା ପାଇଥିଲା । ୨୦୧୭ରେ ଭାରତରେ ଇଣ୍ଟରନେଟ ଡ଼ାଟା ମୂଲ୍ୟ ଆନ୍ତର୍ଜାତିକସ୍ତରରେ ସର୍ବନିମ୍ନ ବିବେଚିତ ହୋଇଥିଲା ।


 

ମହାମାରୀ ଅବସରରେ ଭାରତରେ ଇଣ୍ଟରନେଟ ବ୍ୟବହାର କ୍ଷେତ୍ରରେ ଅନ୍ୟାନ୍ୟ ପରିବର୍ତ୍ତନ ସହ ଗ୍ରାମାଞ୍ଚଳରେ ଡାଟା ବ୍ୟବହାର ବୃଦ୍ଧି ଉଲ୍ଲେଖଯୋଗ୍ୟ ବିଷୟ । ମହାମାରୀ ପୂର୍ବରୁ ଗ୍ରାମାଞ୍ଚଳରେ ଡ଼ାଟା ବ୍ୟବହାର ହାରାହାରି ୧୫ ରୁ ୨୦ ପ୍ରତିଶତ ବୃଦ୍ଧି ପାଉଥିବା ସ୍ଥଳେ ଏପ୍ରିଲରୁ ସେପ୍ଟେମ୍ବର ୨୦୨୦ ଛଅମାସରେ ଡ଼ାଟା ବ୍ୟବହାର ହାରାହାରି ୩୦ ପ୍ରତିଶତ ବୃଦ୍ଧି ପାଇଥିଲା । ଅପରପକ୍ଷେ ସହରାଞ୍ଚଳରେ ଡ଼ାଟା ବ୍ୟବହାର ବୃଦ୍ଧି ପରିମାଣ ୧୫ ରୁ ୨୦ ପ୍ରତିଶତରେ ସୀମିତ ରହିଥିଲା । ଜାତୀୟସ୍ତରରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳସ୍ତରରେ ଇଣ୍ଟରନେଟ ଡ଼ାଟା ବ୍ୟବହାର ମହାମାରୀ ପୂର୍ବାବସ୍ଥାରେ ୬୦:୪୦ ପ୍ରତିଶତ ଥିବା ସ୍ଥଳେ ଅକ୍ଟୋବର ୨୦୨୦ ବେଳକୁ ୫୫:୪୫ ପ୍ରତିଶତକୁ ରୂପାନ୍ତରିତ ହୋଇଛି । ଗବେଷଣା ସଂସ୍ଥା ‘କ୍ରିସିଲ’ର ଅକଳନ ଅନୁଯାୟୀ ଦେଶରେ ଡ଼ାଟା ବ୍ୟବହାର ୨୦୨୧ ଯାଏଁ କ୍ରମାଗତଭାବେ ମାସିକ ୩୦ ରୁ ୪୦ ପ୍ରତିଶତ ବୃଦ୍ଧି ପାଇବା ଅକଳନ କରାଯାଉଥିବା ହେତୁ ଗ୍ରାମାଞ୍ଚଳରେ ଇଣ୍ଟରନେଟବ୍ୟବହାର ବୃଦ୍ଧି ଅବ୍ୟାହତ ରହିବା ଆଶା କରାଯାଏ ।


 

ଓଡ଼ିଶା ଇଣ୍ଟରନେଟ ସେବା କ୍ଷେତ୍ରରେ ପଛୁଆ ରହି ଆସିଛି । ‘ଭାରତନେଟ’ ମାଧ୍ୟମରେ ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ଯୋଗେ ସଂଯୁକ୍ତ କରିବା ନିମନ୍ତେ ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟକ୍ରମାଗତଭାବେ ପୂରଣ ହୋଇପାରୁନାହିଁ । ଅକ୍ଟୋବର ୨୦୨୦ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ସମଗ୍ର ୬,୨୩୪ ଗ୍ରାମପଞ୍ଚାୟତ ମଧ୍ୟରୁ ୪,୬୫୧ ଗ୍ରାମପଞ୍ଚାୟତ ଏବଂ ସମଗ୍ର ୩୧୪ ବ୍ଲକ ମଧ୍ୟରୁ ୨୩୦ ବ୍ଳକରେ ଇଣ୍ଟରନେଟ ଉପଲବ୍ଧ ବୋଲି ଜଣାଯାଇଥିଲା ।


 

ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନରେ ବିରୋଧୀ ଦଳର ମୁଖ୍ୟ ସଚ଼େତକଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଗଣଶିକ୍ଷା ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ତାଙ୍କରି ବିଭାଗର ହିସାବରେ ମହାମାରୀ କାଳରେ ଡ଼ିଜିଟାଲ ମଞ୍ଚରେ ଶିକ୍ଷାଦାନ ଅବସରରେ ୨୮ ପ୍ରତିଶତ ବିଦ୍ୟାଳୟ ଛାତ୍ରଛାତ୍ରୀ ସ୍ମାର୍ଟଫୋନ ବ୍ୟବହାରର ସୁବିଧା ପାଇଥିଲେ । ଏହି ପରିସଂଖ୍ୟାନ ବିଶ୍ଳେଷଣରୁ ଓଡ଼ିଶା ଗ୍ରାମାଞ୍ଚଳରେ ଇଣ୍ଟରନେଟର ବ୍ୟାପ୍ତି ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ସୁସ୍ପଷ୍ଟ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଓଡ଼ିଶା ଏକ ଗ୍ରାମବହୁଳ ରାଜ୍ୟ । ଏଠାରେ ୨୦୦୧ ଜନଗଣନା ଅନୁଯାୟୀ ୫୧,୩୪୯ ଗ୍ରାମ ତଥା ୧୩୮ ଗୋଟି ସହରରେ ରାଜ୍ୟବାସୀ ବସବାସ କରିଥାନ୍ତି ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୭ ନଭେମ୍ୱର ୨୦୨୦


ତଥ୍ୟ:

 

 

Waghmare, Abhishek. 25 years of internet in India. Business Standard  (Bhubaneswar Edition). November 23, 2020.


 

Kumar, Chethan. 25 yrs. on, India tops 75 cr Net connections; 50% of these came in last 4 years. BrandEquit.com. November 16, 2020.



<https://brandequity.economictimes.indiatimes.com/news/digital/25-yrs-on-india-tops-75cr-net-connections-50-of-these-came-in-last-4-yrs/79243531>


 

Parbat, Kalyan &MimanshiLohchab. Covidimpact : Rural India beats urban mobile data usage. Economic Times. November 1, 2020



<https://economictimes.indiatimes.com/tech/internet/rural-india-beats-urban-in-data-usage/articleshow/79253465.cms>


 

 

ଏପ୍ରିଲ ସୁଦ୍ଧା ସବୁ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ ସଂଯୋଗ । ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) । ଅକ୍ଟୋବର ୭, ୨୦୨୦ ।


 

୨୮ % ପିଲାଙ୍କ ପାଖରେ ସ୍ମାର୍ଟଫୋନ । ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) । ଅକ୍ଟୋବର ୨, ୨୦୨୦ ।


ଡିଜିଟାଲ ବିଭେଦ

ଆମ ଦେଶରେ ଟେଲିଯୋଗାଯୋଗସଂଯୋଗ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ କମ ରହି ଆସିଛି । ଉନ୍ନତ ଟେଲିଯୋଗାଯୋଗ ଆଧାରରେ ଇଣ୍ଟରନେଟର ପ୍ରସାର ନିର୍ଭରଶୀଳ ଏବଂ ଏହି କାରଣରୁ ଗ୍ରାମାଞ୍ଚଳରେ ଅନଲାଇନ ବ୍ୟବସ୍ଥାରେ ଉନ୍ନତି ସଂଭବପର ହୋଇପାରୁନାହିଁ । ଫଳରେ ସହରାଞ୍ଚଳ ଓଗ୍ରାମାଞ୍ଚଳ ମଧ୍ୟରେ ଡ଼ିଜିଟାଲ ଦୃଷ୍ଟିରୁ ବୈଷମ୍ୟ ସୃଷ୍ଟି ହେଉଛି ।କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ଓ ସର୍ବୋପରି ଗଣତନ୍ତ୍ରର ବିକାଶ ଦିଗରେ ଇଣ୍ଟରନେଟ ସଂପୃକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ହେତୁ ଏଭଳି ଡିଜିଟାଲ ବିଭେଦ ବା ‘ଡିଜିଟାଲ ଡ଼ିଭାଇଡ଼’ର ମୂଳୋତ୍ପାଟନ ନିମନ୍ତେ ସରକାରୀସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି ।


 

ନ୍ୟାସନାଲ ଟେଲିକମ ପଲିସି ୨୦୧୨ ଅନୁଯାୟୀ ଦେଶର ଗ୍ରାମାଞ୍ଚଳରେ ୨୦୧୭ ସୁଦ୍ଧା ୭୦ ପ୍ରତିଶତ ଏବଂ ୨୦୨୦ ସୁଦ୍ଧା ଶତ ପ୍ରତିଶତ ଟେଲିସାନ୍ଧ୍ରତା ହାସଲ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିଲା । ତେବେ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ୨୦୧୭ ଡ଼ିସେମ୍ୱର ଶେଷ ସୁଦ୍ଧା ଗ୍ରାମାଞ୍ଚଳରେ ମାତ୍ର ୫୬.୭ ପ୍ରତିଶତ ଟେଲିସାନ୍ଧ୍ରତା ହାସଲ ହୋଇପାରିଥିଲା ।


 

ନ୍ୟାସନାଲ ଟେଲିକମ ପଲିସିର ୨୦୧୮ ସଂସ୍କରଣ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।ଏଥିରେ ୨୦୨୨ ସୁଦ୍ଧା ଗ୍ରାମାଞ୍ଚଳରେ ଶତପ୍ରତିଶତ ଟେଲିସାନ୍ଧ୍ରତା ହାସଲ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଦେଶର ୯୦ ପ୍ରତିଶତ ନାଗରିକଙ୍କ ପାଇଁ ବ୍ରଡ଼ବ୍ୟାଣ୍ଡ ସେବା ଉପଲବ୍ଧ ସହ ଇଣ୍ଟରନେଟର ବେଗ ମଧ୍ୟ ବୃଦ୍ଧି ନିମନ୍ତେ ପ୍ରାବଧାନ ରଖାଯାଇଛି । ପ୍ରାୟ ଅର୍ଦ୍ଧେକ ପରିବାରଙ୍କୁ କିପରି ବ୍ରଡ଼ବ୍ୟାଣ୍ଡ ସେବା ସଂଯୁକ୍ତ କରାଇପାରିବେ ସେଥିପ୍ରତି ଯୋଜନାବଦ୍ଧ ଉଦ୍ୟମ ନିମନ୍ତେ ଗୁରୁତ୍ୱ ଦିଆଯାଉଛି।


 

ଗ୍ରାମୀଣ ଭାରତରେ ଟେଲିଯୋଗାଯୋଗ ଓ ଇଣ୍ଟରନେଟ ପ୍ରସାରଜନିତ ଲକ୍ଷ୍ୟସିଦ୍ଧି କ୍ରମାଗତଭାବେ ବ୍ୟାହତ ହେବାର ମୁଖ୍ୟ କାରଣରୂପେ ଅପ୍ଟିକାଲ ଫାଇବର ତାର ବିଛାଇବାରେ ବିଳମ୍ୱକୁ ଚ଼ିହ୍ନଟ କରାଯାଇଥାଏ । ନ୍ୟାସନାଲ ଟେଲିକମ ପଲିସି ୨୦୧୨ରେ ପ୍ରଣୀତ ବିଭିନ୍ନ ଯୋଜନା ରୂପାୟନର ପୁର୍ନମୂଲ୍ୟାୟନ କରି ସରକାରଙ୍କ ପକ୍ଷରୁ ୨୦୧୬ରେ ନେସନାଲ ଅପ୍ଟିକ ଫାଇବର ନେଟୱାର୍କ ସ୍ଥାନରେ ‘ଭାରତ ନେଟ’ ନାମକ ନୂତନ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଦେଶର ଦୁଇ ଲକ୍ଷ ପଚ଼ାଶ ହଜାର ଗ୍ରାମପଞ୍ଚାୟତକୁ ବ୍ରଡ଼ବ୍ୟାଣ୍ଡ ସଂଯୋଗ ୨୦୧୬ ସୁଦ୍ଧା ସଂଭବପର ନ ହୋଇପାରିବା ହେତୁ ଭାରତନେଟ ମାଧ୍ୟମରେ ୨୦୧୯ ସୁଦ୍ଧା କାର୍ଯ୍ୟ ସାରିବାକୁ ପୁନଃ ନିର୍ଦ୍ଧାରଣ କରାଯାଇଛି । ତେବେ ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ପ୍ରାୟ ଏକ ଲକ୍ଷ ଗ୍ରାମପଞ୍ଚାୟତ ହିଁ ବ୍ରଡ଼ବ୍ୟାଣ୍ଡ ସଂଯୋଗ ନିମନ୍ତେ ପ୍ରସ୍ତୁତ ହୋଇପାରିଥିବା ଜଣାଯାଏ ।


 

ଟେଲିଯୋଗାଯୋଗର ପ୍ରସାର ନିମନ୍ତେ ଅପ୍ଟିକାଲ ଫାଇବର ସମେତ, ୱାଇରଲେସ, ଭିଏସଏଟି ଭଳି ଭିନ୍ନ ଭିନ୍ନ ବୈଷୟିକ କୌଶଳ ମଧ୍ୟ ବ୍ୟବହୃତ ହେଉଛି । କିନ୍ତୁ ସମସ୍ତ ଆଧୁନିକ ଉପଯୋଗ କେବଳ ସହରାଞ୍ଚଳରେ ଟେଲିସାନ୍ଧ୍ରତା ବୃଦ୍ଧିରେ ସୀମାବଦ୍ଧ ରହୁଛି। ଟେଲିକମ ରେଗୁଲେଟରି ଅଥାରିଟି ଅଫ ଇଣ୍ଡିଆର ପରିସଂଖ୍ୟାନ ଅନୁଯାୟୀ ଗ୍ରାମାଞ୍ଚଳରେ ଟେଲିସାନ୍ଧ୍ରତା ୫୬.୭ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୧୬୮.୩ରେ ପହଞ୍ଚିଛି । ଅର୍ଥାତ ଟେଲି ଓ ଇଣ୍ଟରନେଟ ଯୋଗାଯୋଗଜନିତ ସୁବିଧା ସୁଯୋଗ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବ୍ୟାପକଭାବେ ବ୍ୟବହୃତ ହେଉଛି  ଏବଂ ତାହା ଉନ୍ନତ ଧରଣର ଜୀବନଯାତ୍ରାରେ ସହାୟକ ହେଉଛି ।


 

ଭାରତ ଏକ ଗ୍ରାମବହୁଳ ଦେଶ । ଏଠାକାର ସଂଖ୍ୟାଧିକ ବାସିନ୍ଦା କୃଷିଜୀବୀ କିମ୍ୱା କ୍ଷୁଦ୍ରଉଦ୍ୟୋଗରେ ନିୟୋଜିତ ହୋଇ ଜୀବିକା ନିର୍ବାହ କରିଥାନ୍ତି । କୃଷି ଓ କ୍ଷୁଦ୍ର ଉଦ୍ୟୋଗ ପରିବର୍ତ୍ତିତ ପରିବେଶରେ ଲାଭଜନକ ନ ହୋଇ ପାରୁଥିବା ହେତୁ ଦେଶବ୍ୟାପୀ ଅସନ୍ତୋଷ ପୁଞ୍ଜିଭୂତ ହେବାରେ ଲାଗିଛି । ରାଜନୀତିକସ୍ତରରେ ଏହାର ସମାଧାନ ସମ୍ଭବପର ନୁହେଁ । ଉନ୍ନତ ବୈଷୟିକ କୌଶଳ ପ୍ରୟୋଗ ଦ୍ୱାରା ହିଁ ସମସ୍ୟାର ସମାଧାନର ସୂତ୍ର ଖୋଜି ପାଇହେବ । ଆଧୁନିକ ବୈଷୟିକ କୌଶଳ ଉପଯୋଗ ନିମନ୍ତେ ପରିବହନ ସାଙ୍ଗକୁ ଉନ୍ନତ ଟେଲିଯୋଗାଯୋଗ ଓ ଇଣ୍ଟରନେଟର ବ୍ୟବହାର ଅପରିହାର୍ଯ୍ୟ।ଏଣୁ ଗ୍ରାମାଞ୍ଚଳରେ ବ୍ରଡ଼ବ୍ୟାଣ୍ଡର ପ୍ରସାର ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।


 

ଏଠାରେ ଏକ ଉଦାହରଣ ଆଲୋଚ଼ନା କରାଯାଇପାରେ । ୨୦୧୧ ଜନଗଣନା ଆଧାରରେ ୨୦୧୫ରେ ଜାତୀୟସ୍ତରରେ ପ୍ରସ୍ତୁତ ସାମାଜିକ-ଅର୍ଥନୀତିକ ଓ ଜାତିଗତ ରିପୋର୍ଟରୁ ଜଣାଯାଏ ଯେ ଆମ ରାଜ୍ୟରେ ଗ୍ରାମାଞ୍ଚଳରେ ୮୬ ଲକ୍ଷ ୨୨ ହଜାର ଓ ସହରାଞ୍ଚଳରେ ୧୨ ଲକ୍ଷ ୬୨ ହଜାର ପରିବାର ବସବାସ କରନ୍ତି । ଗ୍ରାମାଞ୍ଚଳ ବାସିନ୍ଦାଙ୍କ ମଧ୍ୟରୁ ୨୦ ଲକ୍ଷ ପରିବାର ସିଧାସଳଖ କୃଷିଜୀବୀ ଥିବାବେଳେ ୫୦ ଲକ୍ଷ ୭୩ ହଜାର ପରିବାର ଦିନ ମଜୁରିଆ, ଅର୍ଥାତ ପରୋକ୍ଷରେ କୃଷି ତଥା ତତ୍ସମ୍ୱନ୍ଧୀୟ କାର୍ଯ୍ୟରେ ନିୟୋଜିତ । କୃଷି କାର୍ଯ୍ୟ ମୁଖ୍ୟତଃ ମୌସୁମୀ ଉପରେ ନିର୍ଭରଶୀଳ, ରୋଗପୋକ ଓ ଉତ୍ପାଦ ବିକ୍ରୀ ଚ଼ାଷୀର ମୁଖ୍ୟ ସମସ୍ୟା । ଏହି ତିନିଗୋଟି ସମସ୍ୟାକୁ ସାଧ୍ୟମତେ ସମାଧାନ କରିବା ନିମନ୍ତେ ଟାଟା କନସଲଟେନ୍ସି ସର୍ଭିସେସ ପକ୍ଷରୁ ‘ଏମ୍-କୃଷି’ ନାମିତ ମୋବାଇଲ ଫୋନଭିତ୍ତିକ ଏକ ସଫଟୱେର ପ୍ରସ୍ତୁତ କରିଛି ।ଅନ୍ୟମାନେ ମଧ୍ୟ ବିଭିନ୍ନ ଆପ୍ଲିକେସନ ପ୍ରସ୍ତୁତ କରିଛନ୍ତି ।


 

ପ୍ରାଥମିକସ୍ତରରେ ଛୋଟବଡ଼ ସବୁ କୃଷିକ୍ଷେତ୍ରର ନକସା ସହ କୃଷକ, ତାହାର ପରିବାର ଓ କୃଷିପରମ୍ପରାର ବିବରଣୀ ରେକର୍ଡ଼ କରାଯାଇ ସେହି ନିର୍ଦ୍ଧିଷ୍ଟ କୃଷିକ୍ଷେତ୍ର ପାଇଁ ପାଣିପାଗ ବିବରଣୀ ଓ ରୋଗପୋକ ସଂକ୍ରମଣ ସଂପର୍କରେ ସଂପୃକ୍ତଚ଼ାଷୀକୁ ଆଞ୍ଚଳିକଭାଷାରେ ସ୍ମାର୍ଟଫୋନ ଯୋଗେ ସୂଚ଼ନା ଦିଆଯାଇପାରିବା ସୁବିଧା ଉପଲବ୍ଧ । ଅର୍ଥାତ ଗୋଟିଏ ଛୋଟ ଚ଼ାଷୀ ନିଜ ଜମିରେ କେବେ ବର୍ଷା ପାଣି ପାଇବ, କେଉଁ ଧରଣର ରୋଗପୋକ ସଂକ୍ରମଣର ଆଶଙ୍କା ଅଛି ତାହାର ଆଗୁଆ ସୂଚ଼ନା ପାଇପାରିବେ । ଏହାଦ୍ୱାରା କୃଷିଜନିତ କେତେକ ସମସ୍ୟା ସହଜରେ ସମାଧାନ ହୋଇପାରିବ ।


 

ସେହିପରି କ୍ଷୁଦ୍ର ଓ ନାମମାତ୍ର ଚ଼ାଷୀମାନେ ସିଧାସଳଖ ବଜାର ସହିତ ସଂଯୁକ୍ତ ନ ହୋଇପାରୁଥିବା କାରଣରୁ କୃଷିଜାତ ଉତ୍ପାଦ ବିକ୍ରୀରୁ ମୁନାଫା ପାଇପାରିନଥାନ୍ତି । ସବୁବେଳେ ସଂଖ୍ୟାଧିକ ମଧ୍ୟସ୍ଥିଙ୍କ ଉପରେ ନିର୍ଭରଶୀଳତା ଯୋଗୁଁ କ୍ଷତି ସହିଥାନ୍ତି । ସ୍ମାର୍ଟଫୋନ ଯୋଗେ କ୍ଷୁଦ୍ରଚ଼ାଷୀଙ୍କୁ ବଜାର ସହ ସଂଯୁକ୍ତ କରାଇବା ଅବଶ୍ୟ ସଂଭବପର । ସେହିପରି ଅଣ-କୁଶଳୀ ଶ୍ରମିକମାନଙ୍କୁ ନିୟମିତ କର୍ମନିଯୁକ୍ତି ନିମନ୍ତେ ସ୍ମାର୍ଟଫୋନ ଆପ୍ଲିକେସନ ଉପଲବ୍ଧ । ତେବେ ଏଗୁଡ଼ିକର ବ୍ୟବହାର ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ଦେଶପାଇଁ ଏକ ସମସ୍ୟା । ଅଣଆନୁଷ୍ଠାନିକ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଗ୍ରାମାଞ୍ଚଳରେ ବ୍ୟାପକ ପ୍ରସାର ନିମନ୍ତେ ମଧ୍ୟ ଟେଲିସାନ୍ଧ୍ରତା ଓ ଇଣ୍ଟରନେଟ ସଂଯୁକ୍ତି ଅପରିହାର୍ଯ୍ୟ ।


 

ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଏକ ବଡ଼ ଦେଶ । ଏଭଳି ଏକ ପ୍ରାଚ଼ୀନ ସଂସ୍କୃତିସମ୍ପନ୍ନ ରାଷ୍ଟ୍ରରେ ଡିଜିଟାଲ ପରିବେଶ ସୃଷ୍ଟି ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ଯେତିକି ସମସ୍ୟାବହୁଳ, ପରିବର୍ତ୍ତିତ ମୂଲ୍ୟବୋଧକୁ ଗ୍ରହଣଯୋଗ୍ୟ କରିବା ନିମନ୍ତେ ଜନସାଧାରଣରେ ମାନସିକତା ସୃଷ୍ଟି ମଧ୍ୟ ଅନୁରୂପ ମାତ୍ରାରେ କଷ୍ଟସାଧ୍ୟ । ଦାରିଦ୍ର୍ୟ, ଶିକ୍ଷାଦୀକ୍ଷାର ଅଭାବ ଓ ଅନଗ୍ରସରତା ପରିସ୍ଥିତିକୁ ଉତ୍କଟ କରିପକାଏ । ବିଳମ୍ୱରେ ହେଲେ ମଧ୍ୟ ଦେଶ ଯେ ପରିବର୍ତ୍ତନ ଦିଗରେ ପାଦ ବଢ଼ାଉଛି ତାହା ବଡ଼ କଥା । ଅବଶ୍ୟ ଏହାର ଶ୍ରେୟ କିଏ ନେବ ତାହା ଏକ ରାଜନୀତିକ ପ୍ରଶ୍ନ । କିନ୍ତୁ ଡିଜିଟାଲ ଭାରତ ଯେ ଆମ ପାଇଁ ଜରୁରୀ ଆବଶ୍ୟକ ଏଥିରେ ସନ୍ଦେହ ନାହିଁ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ମାର୍ଚ୍ଚ ୨୦୧୮

ସଙ୍କୁଚ଼ିତ ଇଣ୍ଟରନେଟ ବ୍ୟବହାର

ଭାରତରେ ଇଣ୍ଟରନେଟ ସଂଯୁକ୍ତି ସଂଖ୍ୟା ୨୦୧୮ ମଧ୍ୟଭାଗ ସୁଦ୍ଧା ସରକାରୀଭାବେ ୫୦ କୋଟି ଦାବୀ କରାଯାଉଥିବା ସ୍ଥଳେ ବେସରକାରୀ ସୂତ୍ରରେ ପ୍ରାୟ ୩୯ କୋଟି ଇଣ୍ଟରନେଟ ବ୍ୟବହାରକାରୀ ଥିବା କୁହାଯାଉଛି । ଇଣ୍ଟରନେଟ ମଞ୍ଚ ସଂପର୍କୀତ ଗବେଷଣାରେ ଖ୍ୟାତିଲାଭ କରିଥିବା ଗୁଗୁଲ, ଓମିଡ଼େର ନେଟୱାର୍କ ଓ ବେନ ଏଣ୍ଡ କମ୍ପାନୀ ମିଳିତ ଭାବେ ଏକ ରିପୋର୍ଟରେ ଭାରତୀୟମାନଙ୍କ ସଙ୍କୁଚ଼ିତ ଇଣ୍ଟରନେଟ ବ୍ୟବହାର ସଂପର୍କରେ ବିସ୍ତୃତ ବିବରଣୀ ଉଲ୍ଲେଖ କରିଛନ୍ତି ।


 

ଆନ୍ତର୍ଜାତିକସ୍ତରରେ ଇଣ୍ଟରନେଟ ସକ୍ରିୟ ବ୍ୟବାହାରକାରୀ ‘ଆକ୍ଟିଭ ୟୁଜର୍ସ’ଙ୍କ ସଂଖ୍ୟା ବିଚ଼ାରକୁ ନେଲେ ଭାରତର ସ୍ଥାନ ଦ୍ୱିତୀୟ । ତେବେ ଦେଶର ଜନସଂଖ୍ୟା ତୁଳନାରେ ଇଣ୍ଟରନେଟ ସଂଯୁକ୍ତି ବାବଦରେ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ପଛରେ ପଡ଼ି ରହିଛି । ଭାରତରେ ଇଣ୍ଟରନେଟ ସଂଯୁକ୍ତି ୨୮ ପ୍ରତିଶତ ହିସାବ କରାଯାଉଥିବା ସ୍ଥଳେ ବ୍ରାଜିଲରେ ୬୪ ପ୍ରତିଶତ ତଥା ଚ଼ୀନରେ ୫୩ ପ୍ରତିଶତ ଜନସଂଖ୍ୟା ଇଣ୍ଟରନେଟ ସଂଯୁକ୍ତି ହାସଲ କରିଛନ୍ତି ।


 

ଅବଶ୍ୟ ଆମ ଦେଶରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା କ୍ରମାଗତଭାବେ ବଢ଼ି ଚ଼ାଲିଛି । ପ୍ରତିବର୍ଷ ପ୍ରାୟ ଚ଼ାରି କୋଟି ନୂତନ ବ୍ୟବହାରକାରୀ ସାମିଲ ହେଉଛନ୍ତି । କିନ୍ତୁ ଅନଲାଇନରେ ଆର୍ଥିକ କାରବାର କ୍ଷେତ୍ରରେ ଆଶା ଅନୁରୂପ ଅଗ୍ରଗତି ଦେଖିବାକୁ ମିଳୁ ନାହିଁ । ମାତ୍ର ୧୬ କୋଟି ଉପଭୋକ୍ତା ଅନଲାଇନ ଦେଣନେଣରେ ସଂପୃକ୍ତ ରହୁଛନ୍ତି ।


 

ଭାରତରେ ଇଣ୍ଟରନେଟ ଉପଭୋକ୍ତାମାନେ ମାସିକ ୮ ଜିବି ଡ଼ାଟା ବ୍ୟବହାର କରୁଥିବା ହିସାବ କରାଯାଉଛି । ଆନ୍ତର୍ଜାତିକସ୍ତରରେ ଅଗ୍ରଣୀ ରାଷ୍ଟ୍ରଗୁ଼ଡ଼ିକରେ ଡ଼ାଟା ବ୍ୟବହାର ସହ ଏହା ପ୍ରାୟ ସମକକ୍ଷ । ତେବେ ଆମ ଦେଶ ଗ୍ରାମବହୁଳ ହୋଇଥିବା ସ୍ଥଳେ ୮୦ ପ୍ରତିଶତ ଉପଭୋକ୍ତା ସହରାଞ୍ଚଳରେ ଆର୍ଥିକ ସ୍ୱଚ୍ଛଳ ପରିବାର ଅନ୍ତର୍ଭୁକ୍ତ ଥିବା ଇଣ୍ଟରନେଟ ବ୍ୟବହାରରେ ତାରତମ୍ୟ ସୂଚ଼ିତ କରିଥାଏ । ଇଣ୍ଟରନେଟ ସଂଯୁକ୍ତି ଓ ଉପଭୋକ୍ତା ବୃଦ୍ଧି ଦ୍ୱାରା ମାନବିକ ଓ ଆର୍ଥିକ ପ୍ରଗତି ଲକ୍ଷ୍ୟଧାର୍ଯ୍ୟ କରାଯାଉଥିବା ପରିପ୍ରେକ୍ଷୀରେ ଆଗାମୀ ଭବିଷ୍ୟତରେ ଇଣ୍ଟରନେଟର ସମତୁଲ ବ୍ୟବହାର ଗୁରତ୍ୱପୂର୍ଣ୍ଣ ।


 

ଅପରପକ୍ଷେ ମାତ୍ର ୪୦ ପ୍ରତିଶତ ଇଣ୍ଟରନେଟ ଉପଭୋକ୍ତା ଅନଲାଇନ ଆର୍ଥିକ କାରବାର କରୁଥିବା ଏବଂ ଅନ୍ୟାନ୍ୟ ବିକାଶୋନ୍ମୁଖୀ ଅର୍ଥନୀତି ତୁଳନାରେ ଉଲ୍ଲେଖନୀୟ ଅଗ୍ରଗତି କରିପାରୁ ନଥିବା ଉଦବେଗର କାରଣ ପାଲଟିଛି । ସରକାରୀ ସ୍ତରରେ ଡ଼ିଜିଟାଲ ଦେଣନେଣକୁ ଉତ୍ସାହିତ କରିବା ନିମନ୍ତେ ବିମୁଦ୍ରାକରଣ ପରବର୍ତ୍ତୀ ଅବସ୍ଥାରେ ପ୍ରଣୀତ ପଦକ୍ଷେପଗୁଡ଼ିକ ଫଳବତୀ ହୋଇପାରି ନାହିଁ ।


 

ବିଶେଷଜ୍ଞମାନଙ୍କ ମତରେ ଦେଶର ବ୍ୟାବସାୟିକ କାରବାରରେ ସ୍ୱଚ୍ଛତାର ଓ ଅନଲାଇନ ପରିବେଶ ସଂପର୍କରେ ସଚ଼େତନତା ଅଭାବ ଡ଼ିଜିଟାଲ ଅର୍ଥନୀତି ପ୍ରସାରରେ ଦୁଇ ମୁଖ୍ୟ ପ୍ରତିବନ୍ଧକ । ବ୍ୟାଙ୍କ ଅର୍ଥନୀତିରେ ଡ଼ିଜିଟାଲ କାରବାର ବିଶ୍ୱାସନୀୟତା ହାସଲ କରିପାରୁ ନାହିଁ । ଇ-କମର୍ସ ମଞ୍ଚରେ ପ୍ରଥମ ଅନଲାଇନ କ୍ରୟ ପରେ ଏକ ତୃତୀୟାଂଶ ଉପଭୋକ୍ତା ଅଟକି ଯାଉଛନ୍ତି । ଇଣ୍ଟରନେଟ ସଂସ୍କୃତି ପ୍ରସାରରେ ଏଭଳି ଉଦାହରଣମାନ ବାଧକ ସାଜିଛି ।


 

ସରକାରୀସ୍ତରରେ ‘ଭାରତନେଟ’ ମାଧ୍ୟମରେ ଦେଶର ସମସ୍ତ ଗ୍ରାମପଞ୍ଚାୟତକୁ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସହ ସଂଯୁକ୍ତ କରାଇବା, ‘ଗୁଗୁଲ ସାଥି’ ଓ ‘ଭୋଡ଼ାଫୋନ ଫର ବିଜନେସ’ଭଳି ପ୍ରକଳ୍ପ ଜରିଆରେ ଦେଶର ସାଧାରଣ ଜନତାଙ୍କୁ ଇଣ୍ଟରନେଟ ମଞ୍ଚରେ ସାମିଲ କରାଇବା ନିମନ୍ତେ ଉଦ୍ୟମ ଜାରୀ ରହିଛି । କିନ୍ତୁ ଭାରତୀୟଙ୍କ ପାରମ୍ପରିକ ମାନସିକତା, ପ୍ରଶାସନିକ ଓ ବ୍ୟାବସାୟିକ କ୍ଷେତ୍ରରେ ବିଶ୍ୱାସନୀୟତାର ଅଭାବ ତଥା ଦୁର୍ନୀତିର ପ୍ରାବଲ୍ୟତା ଭଳି କାରଣଗୁଡ଼ିକ ସଂକୁଚ଼ିତ ଇଣ୍ଟରନେଟ ବ୍ୟବହାର ନିମନ୍ତେ ଦାୟୀ ବୋଲି କୁହାଯାଇପାରେ ।

 


ଗଣମାଧ୍ୟମର ବିବିଧ ମଞ୍ଚ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ ତଥା ବିଜ୍ଞାପନ ଓ ଲୋକସଂପର୍କ କ୍ରମଶଃ ପ୍ରସାରଣ ନିମନ୍ତେ ଇଣ୍ଟରନେଟମୁଖୀ ହେଉଥିବା ଅବସରରେ ଅନଲାଇନ ପରିବେଶରେ ସ୍ୱଚ୍ଛତା, ବିଶ୍ୱାସନୀୟତା ଓ ଗ୍ରହଣୀୟତା ଗୁରୁତ୍ୱ ବହନ କରିଥାଏ ।ଡ଼ିଜିଟାଲ ମଞ୍ଚରେ ଆର୍ଥିକ ଦେଣନେଣ ବିକଶିତ ହୋଇପାରିଲେ ମୁକ୍ତ ଓ ସୃଜନଶୀଳ ଗଣମାଧ୍ୟମ ବିକାଶ ନିମନ୍ତେ ପ୍ରଶସ୍ତ ସୁଯୋଗ ସୃଷ୍ଟି କରିପାରିବ ।


 

ଉଦାହରଣରେ ଓଡ଼ିଆରେ ଉପନ୍ୟାସ ପୁସ୍ତକ ପ୍ରକାଶନ ଓ ପ୍ରସାର କଥା ବିଚ଼ାରକୁ ନିଆଯାଉ । ସମକାଳରେ ଯଦି ୨୦୦ ପୃଷ୍ଠାର ଉପନ୍ୟାସ ପୁସ୍ତକ ଖଣ୍ଡେ ୩୦୦ ରୁ ୫୦୦ ଖଣ୍ଡ ମୁଦ୍ରିତ ହେଉଛି ଏବଂ ୧୨୦ ରୁ ୧୫୦ ଟଙ୍କା ମୂଲ୍ୟରେ ତିନିରୁ ପାଞ୍ଚ ବର୍ଷ ମଧ୍ୟରେ ବିକ୍ରୀ ହୋଇ ଦେଢ଼ ହଜାରରୁ ଅଢ଼େଇ ହଜାର ପାଠକଙ୍କ ମଧ୍ୟରେ ପ୍ରସାର ସୀମିତ ରହୁଛି, ତେବେ ଲେଖକ କିମ୍ୱା ପ୍ରକାଶକଙ୍କ ନିମନ୍ତେ ସୃଜନ ସନ୍ତୋଷ କିମ୍ୱା ଆର୍ଥିକ ତୃପ୍ତି ସାଧନ କରିପାରୁ ନାହିଁ ।କିନ୍ତୁ ସଂପୃକ୍ତ କୃତୀଟି ଇ-ବୁକ ଆକାରରେ ପ୍ରକାଶିତ ହୋଇ ଖଣ୍ଡ ପିଛା ୫୦ ଟଙ୍କା ଦରରେ ଅନ୍ୟୂନ ୧୦ ହଜାର ଖଣ୍ଡ ବିକ୍ରୀରେ ପାଞ୍ଚ ଲକ୍ଷ ଟଙ୍କାର ବ୍ୟବସାୟ ସମ୍ଭବପର ।ଚ଼ାରି କୋଟି ଓଡ଼ିଆଙ୍କ ମଧ୍ୟରୁ ୧୦ ପ୍ରତିଶତ ଅର୍ଥାତ ୪୦ ଲକ୍ଷ ଉପନ୍ୟାସ ପାଠକଯୋଗ୍ୟ ଜନସଂଖ୍ୟା ହିସାବକୁ ନେଲେ ସେମାନଙ୍କ ମଧ୍ୟରୁ ମାତ୍ର ୦.୨୫ ପ୍ରତିଶତ ୧୦ ହଜାର କ୍ରେତା ସୃଷ୍ଟି କରିବା ଡ଼ିଜିଟାଲ ପରିବେଶରେ ଆଧୁନିକ ବ୍ୟାବସାୟିକ କଳାକୌଶଳ ଉପଯୋଗରେ ଆୟତ୍ତଧୀନ ମନେ କରାଯାଇପାରେ ।


 

 

ଡ଼ିଜିଟାଲ ରୂପାନ୍ତିକରଣ ସୃଜନଶୀଳତାକୁ ବିକ୍ରୟଯୋଗ୍ୟ ‘ମନିଟାଇଜେସନ’ କରାଇବାରେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିପାରିବ । ପୁସ୍ତକ ପ୍ରକାଶନର ଉଦାହରଣ ପଡ଼କାଷ୍ଟ ଓ ଭିଡ଼ିଓ ଷ୍ଟ୍ରୀମିଂ ପାଇଁ ମଧ୍ୟ ପ୍ରଯୁଜ୍ୟ ।‘ନେଟଫ୍ଳେକ୍ସ’ର ବିଶ୍ୱବ୍ୟାପୀ ସଫଳତା ଡ଼ିଜିଟାଲ ପ୍ରସାରଣ ଓ ଆର୍ଥିକ କାରବାର ଯୋଗୁଁ ସମ୍ଭବପର ହୋଇପାରିଛି । ଏହି ପ୍ରବାହ ଓଡ଼ିଆ କାହିଁକି ଓଡ଼ିଶାରେ ପ୍ରଚଳିତ ବହୁ ଉପଭାଷାରେ ସୃଜନଶୀଳତା ବିକାଶରେ ସହାୟକ ହେବା ସମ୍ଭବପର । ଡ଼ିଜିଟାଲ ମଞ୍ଚ ସାଂସ୍କୃତିକ ବିସ୍ତୃତି କ୍ଷେତ୍ରରେ ଏକପକ୍ଷରେ ଉପନିବେଶବାଦକୁ ଉତ୍ସାହିତ କରୁଥିବା ସ୍ଥଳେ ସଂଖ୍ୟାଲଘୁଙ୍କ ନିମନ୍ତେ ମଧ୍ୟ ସମ୍ଭାବନା ଘେନି ପହଞ୍ଚିଛି ।

 


ଭାରତରେ ସଂକୁଚ଼ିତ ଇଣ୍ଟରନେଟ ବ୍ୟବହାର ବନ୍ଧନୀରୁ ମୁକ୍ତି ସମୟସାପେକ୍ଷ ମନେ ହୁଏ । ଦେଶର ପ୍ରଶସ୍ତି, ଜନସଂଖ୍ୟା, ବିବିଧତା ଓ ସର୍ବୋପରି ମାନସିକତା ସ୍ଥିତାବସ୍ଥାକୁ ବହୁକାଳ ବଜାୟ ରଖିପାରେ । ଏହି ସମୟସୀମାରେ ପ୍ରଯୁକ୍ତି ବିଜ୍ଞାନରେ ନୂତନ ବୈଷୟିକ କୌଶଳମାନ ଉଦ୍ଭାବନ ଭାରତୀୟମାନଙ୍କୁ ସର୍ବାଧୁନିକ ପ୍ରବାହ ‘ଟ୍ରେଣ୍ଡ’ଉପଯୋଗ ନିମନ୍ତେ ସୁଯୋଗ ସୃଷ୍ଟି କରିପାରେ । ଅତୀତରେ ଟେଲିଭିଜନ ଓ ମୋବାଇଲ ଫୋନ ବ୍ୟବହାର କ୍ଷେତ୍ରରେ ସୃଷ୍ଟ ପରିସ୍ଥିତିର ପୁନରାବୃତ୍ତି ଘଟିପାରେ । ଆତ୍ମସନ୍ତୋଷକଳ୍ପେ ଭାରତରେ ଡ଼ିଜିଟାଲ ପରିବେଶର ବିଳମ୍ୱିତ ବିକାଶ ଅନ୍ତତଃପକ୍ଷେ ଗଣମାଧ୍ୟମରେ ସୃଜନ କ୍ଷେତ୍ରରେ ପୂର୍ବ ପ୍ରସ୍ତୁତି ନିମନ୍ତେ ଦୀର୍ଘ ସମୟସୀମା ସୃଷ୍ଟିରେ ସହାୟକ ହୋଇପାରୁଛି ବୋଲି ବିଚ଼ାର କରାଯାଇପାରେ ।    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ନଭେମ୍ୱର ୨୦୧୮


ତଥ୍ୟ:



Pushing the digital cart. Business Standard. (Bhubaneswar Edition). August 17, 2018

ଇଣ୍ଟରନେଟ ଉପଭୋକ୍ତା ପରିସଂଖ୍ୟାନ ୨୦୧୯

ଭାରତରେ ଇଣ୍ଟରନେଟର ବ୍ୟାପ୍ତି ଓ ବ୍ୟବହାର କ୍ରମାଗତଭାବେ ବଢ଼ି ଚାଲିଥିବା ଅବସରରେତତ୍ସଂପର୍କୀତ ପରିସଂଖ୍ୟାନ ଇଣ୍ଟରନେଟଭିତ୍ତିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ଗତି ଓ ପ୍ରକୃତି ନିୟନ୍ତ୍ରଣରେ ସହାୟକ ହୋଇଥାଏ । ଆଧୁନିକ ପରିବେଶରେ ଗଣମାଧ୍ୟମ ସୃଜନ ପ୍ରସ୍ତୁତିରେ ଉପଭୋକ୍ତାମାନଙ୍କ ରୁଚ଼ି ଓ ଆଗ୍ରହ ସାଙ୍ଗକୁ ଅର୍ଥନୀତିକ ଓ ସାମାଜିକ ପୃଷ୍ଠଭୂମି ଅଧ୍ୟୟନ ଗୁରୁତ୍ୱ ବହନ କରୁଥିବା ହେତୁ ଏଭଳି ପରିସଂଖ୍ୟାନ ଆବଶ୍ୟକ ପଡ଼ିଥାଏ । ଅପରପକ୍ଷେ ବିଜ୍ଞାପନ ଶିଳ୍ପରେ ଗଣମାଧ୍ୟମର ପ୍ରଚାର ଓ ପ୍ରସାର ତଥ୍ୟ ଆଧାରରେ ବ୍ୟାବସାୟିକ ରଣନୀତି ପ୍ରସ୍ତୁତ କରାଯାଏ ।


 

୨୦୧୯ ମଧ୍ୟଭାଗରେ ପ୍ରକାଶିତ‘ଟେଲକମରେଗୁଲାଟରି ଅଥରିଟି ଅଫ ଇଣ୍ଡିଆ’ର ବାର୍ଷିକ ସମୀକ୍ଷା ବିବରଣୀ୨୦୧୮, ଇଣ୍ଟରନେଟ ଓ ମୋବାଇଲ ଏସୋସିଏସନ ଅଫ ଇଣ୍ଡିଆର ‘ଇଣ୍ଡିଆ ଇଣ୍ଟରନେଟ ୨୦୧୯’ ତଥା ବ୍ୟବସାୟ ପରାମର୍ଶଦାତା ‘କେପିଏମଜି’ ଓ ଓଟିଟି ମଞ୍ଚ ‘ଏରସନାଓ’ ସର୍ବେକ୍ଷଣରେ ପ୍ରସ୍ତୁତ ‘ଅନରିଭିଲିଂ ଦି ଡିଜିଟାଲ ଭିଡ଼ଓକନଜ୍ୟୁମର:ଲୁକିଂ ଥ୍ରୁ ଭିଉଅରଲେନ୍ସ’ ଦେଶରେ ଇଣ୍ଟରନେଟ ବ୍ୟବହାରର ସମସାମୟିକ ସ୍ଥିତାବସ୍ଥା ସଂପର୍କରେ ସମ୍ୟକ ଦୃଷ୍ଟିପାତ କରିଥାଏ ।


 

ଆନ୍ତର୍ଜାତିକସ୍ତରରେ ଚୀନ ପରକୁ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟାଗଣତିରେଭାରତ ଦ୍ୱିତୀୟସ୍ଥାନ ଏବଂ ଉପଭୋକ୍ତା ପିଚ୍ଛାଡ଼ାଟା ବ୍ୟବହାରରେ ପ୍ରଥମସ୍ଥାନ ଅକ୍ତିଆର କରିଛି । ଦେଶରେ ୨୦୧୭ରେ ୪୨ କୋଟି ୪୦ ଲକ୍ଷ ୱାଇରଲେସଡ଼ାଟା ଗ୍ରାହକ ଥିବାସ୍ଥଳେ ତାହା ୩୬ ପ୍ରତିଶତ ବୃଦ୍ଧିପାଇ ୨୦୧୮ରେ ୫୭ କୋଟି ୮୦ ଲକ୍ଷରେ ପହଞ୍ଚିଥିଲା । ୱାଇରଲେସ ଇଣ୍ଟରନେଟ ଉପଭୋକ୍ତାମାନେ ମାସିକ ହାରାହାରି ୮ ଗିଗାବାଇଟଡ଼ାଟା ବ୍ୟବହାର କରୁଥିବା ସ୍ଥଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଉପଭୋକ୍ତା ପିଛା ମାସିକ ୪ ଜିବି, ଦକ୍ଷିଣ କୋରିଆରେ ୬ ଜିବି, ଜାପାନରେ ୪.୫ ଜିବି ଓ ସିଙ୍ଗାପୁରରେ ୩ ଜିବିଡ଼ାଟା ବ୍ୟବହୃତ ହୋଇଥାଏ। ଭାରତରେ ୨୦୧୬ରୁ ୨୦୧୮ ଦୁଇବର୍ଷ ମଧ୍ୟରେ ଡ଼ାଟା ବ୍ୟବହାର ୨୦୦ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ୨୦୧୪ରୁ ୨୦୧୮ ଚାରି ବର୍ଷ ମଧ୍ୟରେ ଡ଼ାଟା ଦର ୯୬ ପ୍ରତିଶତ କମିଛି । ୨୦୧୮ରେ ଉପଭୋକ୍ତା ପିଛା ମାସିକ ଡ଼ାଟା ବାବଦରେ ଏୟରଟେଲର ଗ୍ରାହକ ଚାନ୍ଦା ୧୨୭ ଟଙ୍କା ଥିବା ସ୍ଥଳେ ଜିଓର ୧୨୨ ଟଙ୍କା ଏବଂ ଭୋଡ଼ାଫୋନର ୧୦୮ ଟଙ୍କା ଧାର୍ଯ୍ୟ ହୋଇଥିଲା ।


 

ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ଲିଙ୍ଗଗତ ପାର୍ଥକ୍ୟ ସୁସ୍ୱଷ୍ଟ। ପୁରୁଷଙ୍କ ସଂଖ୍ୟା ହାରାହାରିଭାବେ ୬୭ ପ୍ରତିଶତ ହିସାବ କରାଯାଉଥିବାସ୍ଥଳେ ସହରାଞ୍ଚଳରେ ୬୨ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୭୨ ପ୍ରତିଶତ । ଉପଭୋକ୍ତାଙ୍କ ମଧ୍ୟରୁ ଦୁଇତୃତୀୟାଂଶ ୧୨ ରୁ ୨୯ ବର୍ଷ ମଧ୍ୟରେ ଯୁବଶ୍ରେଣୀ ଅନ୍ତର୍ଭୁକ୍ତ । ଦେଶରେ ୪୫ କୋଟି ୧୦ ଲକ୍ଷଙ୍କୁ ସକ୍ରିୟ ମାସିକ ଉପଭୋକ୍ତା ବା ‘ମନଥଲିଏକ୍ଟିଭୟୁଜର୍ସ’ ରୂପେ ଗଣିତ କରାଯାଉଥିବା ସ୍ଥଳେ ଦୁଇତୃତୀୟାଂଶ ପ୍ରତ୍ୟହ ଇଣ୍ଟରନେଟ ବ୍ୟବହାର କରିଥାନ୍ତି । ସେହିପରି ଏକତୃତୀୟାଂଶ ସହରାଞ୍ଚଳରେ ଦୈନିକ ଏକଘଣ୍ଟା ବା ତତୁର୍ଦ୍ଧ୍ୱ ଇଣ୍ଟରନେଟ ବ୍ୟବହାର କରୁଥିବା ସ୍ଥଳେ ଅନ୍ୟ ଏକ ତୃତୀୟାଂଶ ଗ୍ରାମାଞ୍ଚଳରେ ଦୈନିକ ୧୫ ରୁ ୩୦ ମିନଟ ଇଣ୍ଟରନେଟ ବ୍ୟବହାର କରିଥାନ୍ତି ।


 

ସହରାଞ୍ଚଳ ଉପଭୋକ୍ତାଙ୍କ ମଧ୍ୟରୁ ଏକତୃତୀୟାଂଶ ଇଣ୍ଟରନେଟ ଯାତ୍ରା ସମୟରେ ମଧ୍ୟ ବ୍ୟବହାର କରୁଥିବା ଜଣାଯାଏ । ନିବାସ କିମ୍ୱା କାର୍ଯ୍ୟାଳୟରେ କମ୍ପ୍ୟୁଟର ବଦଳରେମୋବାଇଲଫୋନ ଯୋଗେ ଇଣ୍ଟରନେଟ ବ୍ୟବହାର କ୍ରମଶଃ ବୃଦ୍ଧିପାଇ ୮୭ ପ୍ରତିଶତରେ ପହଞ୍ଚିବା ହିସାବ କରାଯାଏ । କେପିଏମଜି ସର୍ବେକ୍ଷଣରୁ ଜଣାଯାଇଛି ଯେ ସହରାଞ୍ଚଳରେ ଇଣ୍ଟରନେଟ ଉପଭୋକ୍ତାମାନେ ଦୈନିକ ହାରାହାରି ୭୦ ମିନଟ ଭିଡ଼ିଓ ଦେଖିଥାନ୍ତି । ସେମାନେ ପ୍ରତ୍ୟହ ଅତିକମରେ ଥରେ ଏବଂ ସପ୍ତାହକୁ ୧୨.୫ ଥର ଭିଡ଼ିଓ ମଞ୍ଚଗୁଡ଼ିକରେ ଉପସ୍ଥିତ ହୋଇଥାନ୍ତି । କେପିଏମଜି ସର୍ବେକ୍ଷଣ ଦେଶର ୧୬ ଗୋଟି ସହରରେ ୧,୪୫୮ ଜଣ ଇଣ୍ଟରନେଟ ଭିଡ଼ିଓ ସେବା ଉପଭୋକ୍ତା ‘ଓଭର ଦି ଟପ’ ବା ‘ଓଟିଟି’ ଗ୍ରାହକଙ୍କ ଅନଲାଇନ ଅଭ୍ୟାସ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା ।


 

ଏହି ଅନୁଧ୍ୟାନରୁ ଆହୁରି ଜଣାଯାଇଛି ଯେ ୨୮ ପ୍ରତିଶତ ସହରାଞ୍ଚଳ ଉପଭୋକ୍ତା କାର୍ଯ୍ୟାଳୟ ସମୟ ଦିନ ୧୦ରୁ ୬ ଘଣ୍ଟା ‘ଅଫିସ ଆୱାର’ ମଧ୍ୟରେ ଇଣ୍ଟରନେଟ ବ୍ୟବହାର କରନ୍ତି । ଇଣ୍ଟରନେଟଭିତ୍ତିକ ଭିଡ଼ିଓ ପ୍ରସାରଣ ମଞ୍ଚଗୁଡ଼ିକରେ ଚଳଚ଼ିତ୍ର ମୁଖ୍ୟ ସ୍ଥାନ ଅଧିକାର କରିଆସିଛି । ତେବେ ପୂର୍ବ ପ୍ରଦର୍ଶିତଚଳଚ଼ିତ୍ର ବଦଳରେ ମୌଳିକ‘ଓରିଜିନାଲ’ଚଳଚ଼ିତ୍ର ଦେଖିବାକୁ ୧୦ ପ୍ରତିଶତ ଦର୍ଶକ ପସନ୍ଦ କରନ୍ତି । ଇଣ୍ଟରନେଟ ଆପ୍ଳିକେସନଗୁଡ଼ିକର ବ୍ୟବହାର ସଂପୃକ୍ତ ମଞ୍ଚରେ ସ୍ଥାନିତ ବିଷୟବସ୍ତୁ ‘କଣ୍ଟେଣ୍ଟ’ ଉପରେ ନିର୍ଭରଶୀଳ । କୌଣସି ଆପର ଗୁଣବତ୍ତା ସଂପର୍କରେ ଅସନ୍ତୁଷ୍ଟ ହେଲେ ୮୭ ପ୍ରତିଶତ ଉପଭୋକ୍ତା ଉକ୍ତ ଆପର ଅପସାରଣ ‘ଡ଼ିଲିଟ’ କରିଦେଇଥାନ୍ତି ।


 

ଇଣ୍ଟରନେଟରେ ଭାରତୀୟ ଭାଷାର ବ୍ୟବହାର କ୍ରମଶଃ ବଢ଼ି ଚାଲିଛି । ସର୍ବେକ୍ଷଣର ଅଂଶ ଗ୍ରହଣ କରିଥିବା ୩୦ ପ୍ରତିଶତ ଉପଭୋକ୍ତା ଇଂଲିଶ ବା ହିନ୍ଦିବ୍ୟତୀତ ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରସ୍ତୁତ କାର୍ଯ୍ୟକ୍ରମ ଉପଭୋଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ଜଣାଯାଏ । ଇଣ୍ଟରନେଟ ସଂଯୁକ୍ତି ସମଗ୍ର ଜନସଂଖ୍ୟାର ମାତ୍ର ୩୬ ପ୍ରତିଶତରେ ସୀମିତ ରହିଛି । ଦେଶର ମୋଟ ଜନସଂଖ୍ୟା ୧୩୦ କୋଟି ମଧ୍ୟରୁ ୫୦ ପ୍ରତିଶତରୁ କମ ୫୭ କୋଟି ୮୦ ଲକ୍ଷ ମୋବାଇଲ ଡ଼ାଟା ବ୍ୟବହାର କରିଥାନ୍ତି । ପ୍ରାଦେଶିକସ୍ତରରେ ଦିଲ୍ଲୀରେ ସର୍ବାଧିକ ଉପଭୋକ୍ତା ଦାବୀ କରୁଥିବା ସ୍ଥଳେ ତା’ପରକୁ କେରଳ, ହରିଆନା, ହିମାଚଳ ପ୍ରଦେଶ ଓ ପଞ୍ଜାବର ସ୍ଥାନ । ସେହିପରି ମେଟ୍ରୋ ନଗରୀଗୁଡ଼ିକ ମଧ୍ୟରେ ମୁମ୍ୱାଇରେ ଏକ କୋଟି ୧୭ ଲକ୍ଷ, ଦିଲ୍ଲୀରେ ଏକ କୋଟି ୧୨ ଲକ୍ଷ, ବାଙ୍ଗାଲୁରୁ ଓ କୋଲକତାରେ ପ୍ରତ୍ୟେକ ୬୧ଲକ୍ଷ ଏବଂ ଚ଼େନ୍ନାଇରେ ୫୪ ଲକ୍ଷ ଇଣ୍ଟରନେଟ ଉପଭୋକ୍ତା ହିସାବ କରାଯାଏ ।


 

ଭାରତରେ ୨୦୧୯ ମଧ୍ୟଭାଗ ସୁଦ୍ଧା ଇଣ୍ଟରନେଟ ଉପଭୋକ୍ତା ପରିସଂଖ୍ୟାନ ଅନୁଶୀଳନ କଲେ ନିକଟ ଭବିଷ୍ୟତରେ ଏହାର ବ୍ୟାପ୍ତି ଓ ବ୍ୟବହାର ବୃଦ୍ଧି ଆକଳନ କରାଯାଏ । ବାର୍ଷିକଭିତ୍ତିରେ ୩୬ ପ୍ରତିଶତ ଯାଏଁ ଉପଭୋକ୍ତା ଅଭିବୃଦ୍ଧି ଏବଂ ଆନ୍ତର୍ଜାତିକସ୍ତରରେ ସର୍ବାଧିକ ଡ଼ାଟା ବ୍ୟବହାର ମାନ୍ୟତା ଇଣ୍ଟରନେଟ ମଞ୍ଚଗୁଡ଼ିକର ପ୍ରସାରରେ ଉଜ୍ଜଳ ଭବିଷ୍ୟତ ଆଶା କରାଯାଇପାରେ । ଡ଼ାଟା ଦର ବିଗତ ଚାରିବର୍ଷ ମଧ୍ୟରେ ୯୬ ପ୍ରତିଶତ ହ୍ରାସ ପାଇଥିବା ଏବଂ ବ୍ୟବହାର ବିଗତ ଦୁଇବର୍ଷ ମଧ୍ୟରେ ୨୦୦ ପ୍ରତିଶତ ବଢ଼ିଥିବା ଭାରତଭଳି ଏକ ବିକାଶୋନ୍ମୁଖୀ ରାଷ୍ଟ୍ରର ଅର୍ଥନୀତି, ସ୍ୱାସ୍ଥ୍ୟସେବା, ଶିକ୍ଷା ତଥା ଗଣତାନ୍ତ୍ରିକ ଶାସନ ପଦ୍ଧତିକୁ ଗଭୀରଭାବେ ପ୍ରଭାବିତ କରିବା ନିଶ୍ଚିତ ।


 

ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ଦୁଇତୃତୀୟାଂଶ ୧୨ ରୁ ୨୯ ବର୍ଷ ବୟସସୀମାରେ ଅନ୍ତର୍ଭୁକ୍ତ ଥିବା ଏବଂ ସମାନ ସଂଖ୍ୟକ ପ୍ରତ୍ୟେହ ଇଣ୍ଟରନେଟ ବ୍ୟବହାର କରୁଥିବା ପରିସଂଖ୍ୟାନ ସାଧାରଣସ୍ତରରେ ଇଣ୍ଟରନେଟ ଲୋକପ୍ରିୟତାର ପ୍ରମାଣ ଦିଏ । ଉପଭୋକ୍ତାମାନେ ଦୈନିକ ୭୦ ମିନଟ ଯାଏଁ ଭିଡ଼ିଓ ଦେଖୁଥିବା ହିସାବ ଭବିଷ୍ୟତରେ ଭିଡ଼ିଓ ପ୍ରସାରଣକୁ ମୁଖ୍ୟ ଗଣମାଧ୍ୟମ ମଞ୍ଚରୂପେଗଢ଼ି ତୋଳିବା ସମ୍ଭାବନାକୁ ଦୃଢ଼ୀଭୂତ କରିଥାଏ । ସେହିପରି ୩୦ ପ୍ରତିଶତ ଯାଏଁ ଉପଭୋକ୍ତା ଇଣ୍ଟରନେଟ ମଞ୍ଚରେ ଇଂଲିଶ ଓ ହିନ୍ଦି ବ୍ୟତୀତ ଅନ୍ୟ ଭାରତୀୟ ଭାଷାଗୁଡ଼ିକରେ କାର୍ଯ୍ୟକ୍ରମ ଆହରଣ ନିମନ୍ତେ ଆଗ୍ରହ ପ୍ରକାଶ ଓଡ଼ିଆ ଭଳି ଅନ୍ୟାନ୍ୟ ଆଞ୍ଚଳିକ ଭାଷା ଓ ସଂସ୍କୃତିର ପ୍ରସାର ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରିବା ଆଶା କରାଯାଇପାରେ । ୨୦୨୦ ମଧ୍ୟଭାଗ ସୁଦ୍ଧା ୫ଜି କାରିଗରୀ କୌଶଳ ପ୍ରସାର ଇଣ୍ଟରନେଟ ସେବାରେ ବହୁ ଅତ୍ୟାଧୁନିକ ସେବା ପ୍ରଦାନର ପ୍ରତିଶୃତି ବହନ କରୁଥିବା ସ୍ଥଳେ ଇଣ୍ଟରନେଟ ପ୍ରଭାବରେ ୨୦୨୫ ବେଳକୁ ଦୈନନ୍ଦିନ ଜୀବନଯାତ୍ରାରେ ବ୍ୟାପକ ପରିବର୍ତ୍ତନ ନିଶ୍ଚିତ ।     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୮ ଅକ୍ଟୋବର ୨୦୧


ତଥ୍ୟ:



67% of India’s 451m net users are male : IAMAI. The Times of India. (Bhubaneswar Edition). September 27, 2019


 

Hariharan, Sindhu. Indians use 8GB phone data / mth : Trai. The Times of India (Bhubaneswar Edition). August 23, 2019.


 

Most Indian viewers consume online content during office hours : Survey. The Financial Express  (Chennai / Kochi Edition) September 6, 2019.

ଇଣ୍ଚରନେଟ ଉପଭୋକ୍ତା ପରିସଂଖ୍ୟାନ ୨୦୨୦

ଆନ୍ତର୍ଜାତିକସ୍ତରରେ ଇଣ୍ଟରନେଟ ଉପଭୋକ୍ତା ପରିସଂଖ୍ୟାନରେ ଚ଼ୀନ ପରକୁ ଭାରତ ସ୍ଥାନିତ । ୨୦୧୯ ଶେଷ ସୁଦ୍ଧା ଦେଶରେ ୫୬ କୋଟି ଇଣ୍ଟରନେଟ ଉପଭୋକ୍ତା ହିସାବ କରାଯାଇଥିବା ସ୍ଥଳେ ୨୦୨୩ ସୁଦ୍ଧା ପ୍ରାୟ ୯୦ କୋଟିରେ ପହଞ୍ଚିବା ଆକଳନ କରାଯାଇଥାଏ । ବିଶ୍ୱର ବିଭିନ୍ନ ପ୍ରାନ୍ତ ତୁଳନାରେ ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କଠାରେ ଭିନ୍ନ ଆଚ଼ରଣ ଦେଖିବାକୁ ମିଳେ । ଅନ୍ୟତ୍ର ଇଣ୍ଟରନେଟ ସଂଯୁକ୍ତି ନିମନ୍ତେ ବ୍ରଡ଼ବ୍ୟାଣ୍ଡ, ୱାଇ-ଫାଇ ସହ ପରସନାଲ କମ୍ପ୍ୟୁଟର, ଲାପଟପ ଇତ୍ୟାଦି ସାଧାରଣତଃ ବ୍ୟବହୃତ ହେଉଥିବା ସ୍ଥଳେ ଭାରତରେ ମୋବାଇଲ ସ୍ମାର୍ଟଫୋନ ଯୋଗେ ୯୯ ପ୍ରତିଶତ ଉପଭୋକ୍ତା ଇଣ୍ଟରନେଟ ମଞ୍ଚରେ ଅବତୀର୍ଣ୍ଣ ହୋଇଥାନ୍ତି ।


 

ଭାରତୀୟ ମୋବାଇଲ ମାର୍କେଟିଂ ଏସୋସିଏସନ ଓ ଗୃପ‘ଏମ’ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ସହରାଞ୍ଚଳରେ ୯୪ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୯୦ ପ୍ରତିଶତ ଉପଭୋକ୍ତା ନିଜ ବାସଗୃହରେ ଇଣ୍ଟରନେଟ ବ୍ୟବହାର କରନ୍ତି । ଏହା ପରକୁ କାର୍ଯ୍ୟକ୍ଷେତ୍ରରେ ସହରାଞ୍ଚଳରେ ୩୨ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୪୫ ପ୍ରତିଶତ ତଥା ଯାତାୟତ କାଳରେ ସହରାଞ୍ଚଳରେ ୩୦ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୨୦ ପ୍ରତିଶତ ଉପଭୋକ୍ତା ଇଣ୍ଟରନେଟ ବ୍ୟବହାର କରିଥାନ୍ତି ।


 

ଇଣ୍ଟରନେଟ ଓ ମୋବାଇଲ ଏସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ୨୦୧୯ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜାତୀୟସ୍ତରରେ ସର୍ବାଧିକ ଇଣ୍ଟରନେଟ ସଂଯୁକ୍ତିରେ ଦିଲ୍ଲୀର ସ୍ଥାନ । ତା’ପରକୁ କେରଳ, ଜାମ୍ମୁ ଓ କାଶ୍ମୀର, ହରିଆନା, ହିମାଚଳ ପ୍ରଦେଶ ଓ ପଞ୍ଜାବର ପାଳି । ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ଦୁଇ-ତୃତୀୟାଂଶ ୧୨ ରୁ ୧୯ ବୟସ ବର୍ଗରେ ଅନ୍ତର୍ଭୁକ୍ତ । ସ୍ମାର୍ଟଫୋନ ବ୍ୟବହାର କରୁଥିବା ତିନିଜଣ ମଧ୍ୟରେ ଦୁଇଜଣ କୌଣସି ଏକ ସୋସିଆଲ ମିଡ଼ିଆ ମଞ୍ଚରେ ସକ୍ରିୟ ଥିବା ଜଣାଯାଏ ।


 

ଭାରତୀୟମାନେ ହ୍ୱାଟସଆପ ସର୍ବାଧିକ ବ୍ୟବହାର କରୁଥିବା ସ୍ଥଳେ କ୍ରମାନ୍ୱୟରେ ଫେସବୁକ, ଟ୍ରୁ-କଲର, ଫେସବୁକ ମେସେଞ୍ଜର, ସେୟାର-ଇଟ, ଆମେଜନ, ଏମଏକ୍ସ-ଗୃପ, ଇନଷ୍ଟ୍ରାଗ୍ରମ, ପେ-ଟିମ ଓ ହଟଷ୍ଟାର ଆପ୍ଲିକେସନଗୁଡ଼ିକ ୨୦୧୯ ସୁଦ୍ଧା ଲୋକପ୍ରିୟତା ହାସଲ କରିଥିଲା ।


 

‘ଆପ-ଆନେ’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଆମଦେଶରେ ବ୍ୟକ୍ତିପିଚ୍ଛା ହାରାହାରି ମୋବାଇଲ ଫୋନ ବ୍ୟବହାରସୀମା ତିନିଘଣ୍ଟା ଚାଳିଶି ମିନଟ ଯାଏଁ ପରିବ୍ୟାପ୍ତ । ଭାରତ ସମେତ ଫ୍ରାନ୍ସ ଓ କାନାଡ଼ାରେ ୨୦୧୭ ତୁଳନାରେ ମୋବାଇଲ ଫୋନ ବ୍ୟବହାର ୨୦୧୯ରେ ୨୫ ପ୍ରତିଶତ ବଢ଼ିଥିଲା । ସେହିପରି ଭାରତ ସମେତ ବ୍ରାଜିଲ ଓ ଇଣ୍ଡୋନେସିଆ ‘ମୋବାଇଲ-ଫାଷ୍ଟ’ ଅର୍ଥାତ ସମ୍ୱାଦ ସରବରାହ ନିମନ୍ତେ ମୋବାଇଲ ଫୋନକୁ ମୁଖ୍ୟ ସାଧନଭାବେ ବ୍ୟବହାର କରିଥାନ୍ତି ।


 

ଗଣମାଧ୍ୟମ ବ୍ୟବହାରରେ ଉପଭୋକ୍ତାଙ୍କ ଶିକ୍ଷାଗତ ଯୋଗ୍ୟତା ଗୁରୁତ୍ୱ ବହନ କରିଥାଏ । ଗଣମାଧ୍ୟମର ବିଭିନ୍ନ ମଞ୍ଚରେ ଉପସ୍ଥାପିତ ତଥ୍ୟାବଳୀ ଅନୁଶୀଳନ କରି ଆବଶ୍ୟକତାମତେ ବ୍ୟକ୍ତିଗତ ତଥା ସାମୂହିକସ୍ତରରେ ଉପଯୋଗ କରିବା ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ପଡ଼ିଥାଏ । ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭରେ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ପହଞ୍ଚିବା ନିମନ୍ତେ ବିଭିନ୍ନ ସାଜସରଞ୍ଜାମ ବ୍ୟବହୃତ ହେଉଥିବା ସ୍ଥଳେ ସେଗୁଡ଼ିକୁ ଚଳାଇବା ସାମର୍ଥ୍ୟ ମଧ୍ୟ ଅପରିହାର୍ଯ୍ୟ ।


 

ପରିବର୍ତ୍ତିତ ପରିବେଶରେ ଇଣ୍ଟରନେଟ ସଂଯୁକ୍ତି ବିଭିନ୍ନ ଗଣମାଧ୍ୟମ ବ୍ୟବହାରର ମୁଖ୍ୟ ସାଧନରୂପେ ମୁଣ୍ଡ ଟେକିଛି । ଜାତୀୟ ପରିସଂଖ୍ୟାନ ସଂଗଠନ ପକ୍ଷରୁ ୨୦୧୯ ଶେଷରେ ପ୍ରକାଶିତ ୭୫ତମ ପାରିବାରିକ ସାମାଜିକ ବ୍ୟବହାର ‘ହାଉସହୋଲଡ଼ ସୋସିଆଲ କନଜମ୍ପସନ’ ରିପୋର୍ଟରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଭାରତର ଗ୍ରାମାଞ୍ଚଳରେ ୧୪.୯ ପ୍ରତିଶତ ପରିବାର ଏବଂ ସହରାଞ୍ଚଳରେ ୪୨ ପ୍ରତିଶତ ପରିବାରଙ୍କ ବାସଗୃହରେ ଇଣ୍ଟରନେଟ ସଂଯୁକ୍ତି ଉପଲବ୍ଧ ରହିଥିଲା ।


 

ପାଞ୍ଚବର୍ଷରୁ ଉର୍ଦ୍ଧ୍ୱ ବୟସ ସୀମାରେ ଗ୍ରାମାଞ୍ଚଳରେ ୧୩ ପ୍ରତିଶତ ଇଣ୍ଟରନେଟ ବ୍ୟବହାର କରୁଥିବା ସ୍ଥଳେ ସହରାଞ୍ଚଳରେ ୩୧.୧ ପ୍ରତିଶତ ଇଣ୍ଟରନେଟ ବ୍ୟବହାର କରୁଥିଲେ । ସର୍ବେକ୍ଷଣ ନିମନ୍ତେ ତଥ୍ୟ ସଂଗ୍ରହର ପୂର୍ବ-ମାସକ ମଧ୍ୟରେ ଗ୍ରାମାଞ୍ଚଳରେ ୧୦.୮ ପ୍ରତିଶତ ପରିବାର ଅତିକମରେ ଥରେ ଇଣ୍ଟରନେଟ ବ୍ୟବହାର କରିଥିବା ସ୍ଥଳେ ସହରାଞ୍ଚଳରେ ୩୩.୮ ପ୍ରତିଶତ ପରିବାର ଅତିକମରେ ଥରେ ଇଣ୍ଟରନେଟ ବ୍ୟବହାର କରିଥିଲେ ।


 

ସାତ ବର୍ଷରୁ ଉର୍ଦ୍ଧ୍ୱ ବୟସ ସୀମାରେ ମୋଟ ୭୭.୭ ପ୍ରତିଶତ ଜନସଂଖ୍ୟା ସାକ୍ଷର ଥିବା ଜଣାଯାଇଥିଲା । ଏଥିମଧ୍ୟରେ ଗ୍ରାମାଞ୍ଚଳରେ ୭୩.୫ ପ୍ରତିଶତ ଏବଂ ସହରାଞ୍ଚଳରେ ୮୭.୭ ପ୍ରତିଶତ ଅନ୍ତର୍ଭୁକ୍ତ । ପନ୍ଦର ବର୍ଷରୁ ଉର୍ଦ୍ଧ୍ୱ ବୟସ ସୀମାରେ ଗ୍ରାମାଞ୍ଚଳରେ ୩୦.୬ ପ୍ରତିଶତ ଏବଂ ସହରାଞ୍ଚଳରେ ୫୭.୫ ପ୍ରତିଶତ ମାଧ୍ୟମିକ ଶିକ୍ଷା ସାରିଥିଲେ । ସେହିପରି ଦେଶରେ ମୋଟ ୧୦.୬ ପ୍ରତିଶତ ସ୍ନାତକ କିମ୍ୱା ତତୁର୍ଦ୍ଧ ଶିକ୍ଷା ପାଇଥିବା ସ୍ଥଳେ ଗ୍ରାମାଞ୍ଚଳରେ ୭ ପ୍ରତିଶତ ଏବଂ ସହରାଞ୍ଚଳରେ ୨୧.୭ ପ୍ରତିଶତ ହିସାବ କରାଯାଇଥିଲା ।


 

ଶିକ୍ଷା ପରକୁ ସାଜ-ସରଞ୍ଜାମ ବ୍ୟବହାର ଗଣମାଧ୍ୟମ ସଂପୃକ୍ତିରେ ଗୁରୁତ୍ୱବହନ କରିଥାଏ । ‘ଓଡ଼ିଶା ଅର୍ଥନୀତିକ ସର୍ବେକ୍ଷଣ ୨୦୧୯-୨୦’ରେ ପ୍ରଦତ୍ତ ହିସାବ ଅନୁଯାୟୀ ଜାତୀୟସ୍ତରରେ ଟେଲିସାନ୍ଧ୍ରତା ୯୩.୨୭ ପ୍ରତିଶତ ରହିଥିବା ସ୍ଥଳେ ଓଡ଼ିଶାରେ ୮୦.୨୮ ପ୍ରତିଶତରେ ସୀମିତ । ସେହିପରି ଜାତୀୟସ୍ତରରେ ଇଣ୍ଟରନେଟ ସଂଯୁକ୍ତି ୩୮.୦୨ ଗଣନା କରାଯାଉଥିବା ସ୍ଥଳେ ଓଡ଼ିଶାରେ ୨୮.୨୨ ପ୍ରତିଶତ ଉପଲବ୍ଧ । ରାଜ୍ୟରେ ଇଣ୍ଟରନେଟ ସେବାର ବ୍ୟାପ୍ତି ସହରାଞ୍ଚଳରେ ୮୩.୨୮ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୧୬.୦୪ ପ୍ରତିଶତ । ଏଠାକାର ମୋଟ ଟେଲିଫୋନ ଉପଭୋକ୍ତା ସଂଖ୍ୟା ମାର୍ଚ୍ଚ ୨୦୧୮ ସୁଦ୍ଧା ୩ କୋଟି ୪୬ ଲକ୍ଷ ରହିଥିଲା ।


 

୨୦୧୯ ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସଞ୍ଚାର ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୬,୫୪୯ ଗ୍ରାମରେ ମୋବାଇଲ ଟେଲିଫୋନ ସେବା ପହଞ୍ଚିପାରି ନଥିଲା । ସେହିପରି ରାଜ୍ୟ ସଭାରେ ଯୋଗାଯୋଗ କେନ୍ଦ୍ର ସଞ୍ଚାର ମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ବିବରଣୀ ଅନୁଯାୟୀ କନ୍ଧମାଳ ଜିଲ୍ଲାର ୧୩୨୯ଟି ଗ୍ରାମ, ରାୟଗଡ଼ ଜିଲ୍ଲାର ୧୨୦୭ଟି ଗ୍ରାମ, କୋରାପୁଟ ଜିଲ୍ଲାର ୭୨୫ ଗ୍ରାମ, ଗଜପତି ଜିଲ୍ଲାର ୬୫୫ଟି ଗ୍ରାମ, କଳାହାଣ୍ଡି ଜିଲ୍ଲାର ୫୮୭ଟି ଗ୍ରାମ, ମାଲକାନଗିରିର ୪୩୭ଟି ଗ୍ରାମ, ନୂଆପଡ଼ା ଜିଲ୍ଲାର ୪୫ଟି ଗ୍ରାମ, ନବରଙ୍ଗପୁର ଜିଲ୍ଲାର ୪୦ଟି ଗ୍ରାମ ବଲାଙ୍ଗୀର ଜିଲ୍ଲାର ୨୬ଟି ଗ୍ରାମ ଓ ଢ଼େଙ୍କାନାଳ ଜିଲ୍ଲାର ୧୭ଟି ଗ୍ରାମରେ ମୋବାଇଲ ଫୋନ ସେବା ଅପହଞ୍ଚ ।


 

ଓଡ଼ିଶାର ସମୁଦାୟ ୬୭୭୫ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୩୬୯୭ଟି ଗ୍ରାମପଞ୍ଚାୟତରେ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସେବା ଉପଲବ୍ଧ । ବ୍ରଡ଼ବ୍ୟାଣ୍ଡ କେବୁଲ ବିଛାଇବା କାର୍ଯ୍ୟ ୪୦୮୭ଟି ଗ୍ରାମାଞ୍ଚଳରେ ସରିଥିବା ସ୍ଥଳେ ୩୦୭୮ଟି ଗ୍ରାମପଞ୍ଚାୟତରେ ଇଣ୍ଟରନେଟ ସେବା ଆରମ୍ଭ ହୋଇପାରିନଥିବା ଜଣାଯାଇଥିଲା । ଏହିଭଳି ପରିସଂଖ୍ୟାନ ଆଧୁନିକ ଗଣମାଧ୍ୟମ ସଂପୃକ୍ତିରେ ରାଜ୍ୟରେ ସାମର୍ଥ୍ୟ ଅଭାବ ଦର୍ଶାଇଥାଏ ।


 

ଗଣମାଧ୍ୟମ ମଞ୍ଚଗୁଡ଼ିକ ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ ସମୟରେ ଦର୍ଶକମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଚାରକୁ ନିଆଯାଇଥାଏ । ସର୍ବଭାରତୀୟ ପରିସଂଖ୍ୟାନ ଆଧାରରେ ଓଡ଼ିଶାରେ ଶିକ୍ଷିତ ଓ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ସମାନ କିମ୍ୱା ସାମାନ୍ୟ କମ ଧରି ନିଆଯାଇପାରେ । ଉଚ୍ଚ ଶିକ୍ଷିତ ଓ କମ ଶିକ୍ଷିତ ଉପଭୋକ୍ତାଙ୍କ ନିମନ୍ତେ ଗଣମାଧ୍ୟମ ଉପାଦାନ ‘କଣ୍ଟେଣ୍ଟ’ ପ୍ରସ୍ତୁତିରେ ତାରତମ୍ୟ ଲକ୍ଷ୍ୟ କରାଯାଏ । ସାଧାରଣତଃ ଅଳ୍ପ ଶିକ୍ଷିତଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ପ୍ରଯୋଜକମାନେ ଚାଞ୍ଚଲ୍ୟକର ଓ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଥାନ୍ତି । ଏହି କାରଣରୁ ଅସତ୍ୟ ଓ ଅତିରଞ୍ଜିତ ତଥ୍ୟାବଳୀ  ଆଧାରିତ ଉପାଦାନ ଗଣମାଧ୍ୟମରେ ବହୁଳଭାବେ ପ୍ରସାରିତ ।


 

ଏତାଦୃଶ୍ୟ ପରିବେଶ ବିଭ୍ରାନ୍ତିକର ଏବଂ ଗଣମାଧ୍ୟମ ମଞ୍ଚଗୁଡ଼ିକ ନିମନ୍ତେ ଦୀର୍ଘସୂତ୍ରରେ ଆତ୍ମଘାତୀ ପ୍ରମାଣିତ ହୋଇଥାଏ । ଚାଞ୍ଚଲ୍ୟକର ସମ୍ୱାଦ ପରିବେଷଣକୁ ଭିତ୍ତିକରି ଗଢ଼ି ଉଠୁଥିବା ଯେ କୌଣସି ସମ୍ୱାଦପତ୍ର କିମ୍ୱା ଟେଲିଭିଜନ ଚ୍ୟାନେଲର ଆୟୁଷ ସୀମିତ ରହିଥିବା ସାମ୍ୱାଦିକତାର ଇତିହାସ ପୃଷ୍ଠାରୁ ପ୍ରମାଣିତ । ଅଳ୍ପ ଶିକ୍ଷିତଙ୍କ ନିମନ୍ତେ ଉପାଦାନ ପ୍ରସ୍ତୁତିରେ ଗୁଣବତ୍ତା ବିକାଶ ଗଣମାଧ୍ୟମ ମଞ୍ଚଗୁଡ଼ିକ ନିମନ୍ତେ ଦୀର୍ଘସୂତ୍ରରେ ଶୁଭଙ୍କର ହେବା ବିଶ୍ୱାସ କରାଯାଇପାରେ ।


 

ଅପରପକ୍ଷରେ ଗଣମାଧ୍ୟମର ମୂଳ ଉଦ୍ଦେଶ୍ୟ ଜନସାଧାରଣଙ୍କ ମଧ୍ୟରେ ତଥ୍ୟ ପ୍ରସାର ଏବଂ ତଦ୍ ଜନିତ ସାମାଜିକ ବିକାଶରେ ଲକ୍ଷ୍ୟବଦ୍ଧ ଥିବା ସ୍ଥଳେ ଏହି ଧାରାରୁ ବିଚ୍ୟୁତି ଯେକୌଣସି ମଞ୍ଚ ନିମନ୍ତେ କ୍ଷଣିକ ଉନ୍ମାଦନା ଆଣିପାରେ, କିନ୍ତୁ ତାହା ଦୀର୍ଘକାଳ ବଳବତ୍ତର ରହିପାରେ ନାହିଁ । ପ୍ରତ୍ୟେକ ଗଣମାଧ୍ୟମ କର୍ମୀ ନିଜ ବ୍ୟକ୍ତିଗତ ଅଭିଜ୍ଞତାକୁ ଘଣ୍ଟାଏ ନିରୋଳାରେ ବସି ନିଜ ଓ ସହକର୍ମୀଙ୍କ ଦ୍ୱାରା ପ୍ରସାରିତ ସତ୍ୟ ଓ ଅସତ୍ୟ ତଥ୍ୟ ଓ ତଦ୍ ଜନିତ ପରିଣାମ ଅନ୍ତତଃପକ୍ଷେ ସପ୍ତାହରେ ଥରେ ବିଚାର କଲେ ସାମ୍ୱାଦିକତାରେ ଗୁଣାତ୍ମକ ବିକାଶ ନିମନ୍ତେ ପଥ ଉନ୍ମୁକ୍ତ ରହିବ । ଗବେଷଣାରୁ ଜଣାଯାଏ ଯେ ସୋସିଆଲ ମିଡ଼ିଆରେ ସତ୍ୟ ତୁଳନାରେ ଅସତ୍ୟ ମେସେଞ୍ଜର ଆପ୍ଲିକେସନଗୁଡ଼ିକରେ ସାତ ଗୁଣ ବେଗରେ ପ୍ରସାରିତ ହୋଇଥାଏ । କିନ୍ତୁ କେବେ କେହି ଉପଭୋକ୍ତା ଅସତ୍ୟକୁ ହୃଦୟର ଗଭୀରତମ ପ୍ରଦେଶରେ ସମର୍ଥନ କରିବା ନିମନ୍ତେ ରାଜି ହୋଇନଥାନ୍ତି ।      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୨୦


ତଥ୍ୟ:



Gupta, Surojit. NSO survey finds big rural-urban divide in computer, internet use. The Times of India, (Bhubaneswar Edition). November 25, 2019


 

Mobilising Internet, the Indian way. Business Standard. (Bhubaneswar Edition). February 20, 2020


 

Centre of attraction : Mobile set for biggest year. The Times of India. (Bhubaneswar Edition). February 29, 2020


 

Pradhan, Hemanta. Internet penetration low in State. The Times of India. (Bhubaneswar Edition). February 18, 2020


 

Pradhan, Hemanta. ‘Over 6k villages in State not covered by mobile services’. The Times of India. (Bhubaneswar Edition). December 12, 2020


 

Kondhamal District stands first in neglect in telephone service. The Samaja (Odia Daily). Berhampur Edition. December 13, 2020

ଇଣ୍ଚରନେଟ ଉପଭୋକ୍ତା ପରିସଂଖ୍ୟାନ ୨୦୨

ଭାରତରେ ବିଭିନ୍ନ ବାଣିଜ୍ୟ-ବ୍ୟବସାୟ ଗବେଷଣା ପ୍ରତିଷ୍ଠାନପକ୍ଷରୁ ସମୟାନ୍ତେ ସର୍ବେକ୍ଷଣ ମାଧ୍ୟମରେ ସଂଗୃହୀତ ଇଣ୍ଟରନେଟ ଉପଭୋକ୍ତା ସଂପର୍କୀତ ପରିସଂଖ୍ୟାନରେ ତାରତମ୍ୟ ପରିଲକ୍ଷିତ ହୋଇଥାଏ । ଉଦାହରଣରେ ୨୦୨୨ ଜୁଲାଇ ମଧ୍ୟଭାଗରେ ‘କାନ୍ତାର’ ପକ୍ଷରୁ ପ୍ରକାଶିତ ‘ଇଣ୍ଟରନେଟ ଇନ ଇଣ୍ଡିଆ’ ବିବରଣୀରେ ୨୦୨୧ ସୁଦ୍ଧା ଦେଶରେ ମୋଟ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୬୯ କୋଟି ୨୦ ଲକ୍ଷ ଦର୍ଶାଯାଇଥିବା ସ୍ଥଳେ ୨୦୨୨ ମେ ପ୍ରଥମ ସପ୍ତାହରେ ‘ନେଲସନ’ ପକ୍ଷରୁ ପ୍ରକାଶିତ ‘ଭାରତ ୨.୦’ ବିବରଣୀରେ ସେହି ସମୟସୀମାରେ ୬୪ କୋଟି ୬୦ ଲକ୍ଷ ଗଣିତ କରାଯାଇଥିଲା । ସର୍ବେକ୍ଷଣ ଆୟୋଜନରେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ ତଥା ନମୂନା ନିର୍ବାଚନରେ ପାର୍ଥକ୍ୟ ପରିସଂଖ୍ୟାନ ପ୍ରଭେଦର କାରଣ ।

 

‘କାନ୍ତାର’ର ବିବରଣୀ ‘ଇଣ୍ଟରନେଟ ଇନ ଇଣ୍ଡିଆ’ ପ୍ରସ୍ତୁତି ନିମନ୍ତେ ‘ଆଇ-କ୍ୟୁବ ୨୦୨୧’ ସର୍ବେକ୍ଷଣର ତଥ୍ୟ ବ୍ୟବହୃତ ହୋଇଥିଲା । ‘ଆଇ-କ୍ୟୁବ’ ମାଧ୍ୟମରେ ୧୯୯୮ରୁ ଧାରାବାହିକଭାବେ ପ୍ରତିବର୍ଷ ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସ୍ଥିତାବସ୍ଥା ସଂପର୍କରେ ସର୍ବେକ୍ଷଣ ଆୟୋଜନ କରାଯାଇଥାଏ । ୨୦୨୧ରେ ଅନୁଷ୍ଠିତ ୧୯ ତମ ଅଧ୍ୟାୟରେ ଦେଶର ୨୦ ଗୋଟି ରାଜ୍ୟର ୮୫ ଗୋଟି ସହର ଓ ୧୩୦୦ ଗ୍ରାମାଞ୍ଚଳରୁ ନମୂନା ସାମିଲ ହୋଇଥିଲେ । ସହରାଞ୍ଚଳର ୬୦ ହଜାର ପରିବାରର ଏକ ଲକ୍ଷ ୨୦ ହଜାର ବ୍ୟକ୍ତି ଓ ଗ୍ରାମାଞ୍ଚଳର ୧୫ ହଜାର ପରିବାରରୁ ୧୫ ହଜାର ବ୍ୟକ୍ତି ଏହି ସର୍ବେକ୍ଷଣରେ ତଥ୍ୟ ପ୍ରଦାନ କରିଥିଲେ । ଏହି ଅଧ୍ୟୟନ ‘ଇଣ୍ଟରନେଟ ଏଣ୍ଡ ମାର୍କେଟିଂ ଏସୋସିଏସନ ଅଫ ଇଣ୍ଡିଆ’ ସୌଜନ୍ୟରେ ଆୟୋଜିତ ହୋଇଥାଏ ।

 

କରୋନାଭୂତାଣୁ ସଂକ୍ରମଣଜନିତ ମହାମାରୀ ଅବସରରେ ଆମ ଦେଶରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଏହା ନାଗରିକଙ୍କ ବ୍ୟକ୍ତିଗତ, ସାମାଜିକ, ଅର୍ଥନୀତିକ, ରାଜନୀତିକ ଓ ସାଂସ୍କୃତିକ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିଥିଲା । କିଣାବିକା, ମନୋରଞ୍ଜନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରସ୍ପର ଯୋଗାଯୋଗ ଦିଗରେ ବିକଶିତ ନୂତନ ମଡ଼େଲ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’କୁ ଯେ ପ୍ରଭାବିତ କରିଛି ଏହା ୨୦୨୧ ପରିସଂଖ୍ୟାନରୁ ଜଣାଯାଏ ।

 

ପ୍ରଥମତଃ, ‘କାନ୍ତାର’ ରିପୋର୍ଟରେ ଦର୍ଶାଯାଇଛି ମହାମାରୀ-ପୂର୍ବାବସ୍ଥାରେ ୨୦୧୯ ସୁଦ୍ଧା ଅନଲାଇନ ଅର୍ଥ ଦେଣନେଣ ଓ ଇ-କମର୍ସରେ ୨୩ କୋଟି ଉପଭୋକ୍ତା ସାମିଲ ଥିବା ସ୍ଥଳେ ମହାମାରୀ-ପର ଅବସ୍ଥାରେ ୨୦୨୧ରେ ୩୪ କୋଟି ୬୦ ଲକ୍ଷରେ ପହଞ୍ଚିଥିଲା । ଅର୍ଥାତ, ମାତ୍ର ଦୁଇବର୍ଷ ମଧ୍ୟରେ ୫୧ ପ୍ରତିଶତ ବୃଦ୍ଧି ସମ୍ଭବ ହୋଇପାରିଥିଲା । ତୁଳନାତ୍ମକଭାବେ ଯୁକ୍ତରାଷ୍ଟ୍ର ଆମେରିକାର ସମଗ୍ର ଜନସଂଖ୍ୟା ୩୩ କୋଟି ୧୦ ଲକ୍ଷ ଥିବା ବେଳେ ଭାରତରେ ତାହାଠାରୁ ଅଧିକ ଲୋକ ଇଣ୍ଟରନେଟ ବ୍ୟବହାରରେ ବ୍ୟବସାୟ ସହ ସଂପୃକ୍ତ ଅଛନ୍ତି । ଏହି ଦୃଷ୍ଟିରୁ ଭାରତ ଇଣ୍ଟରନେଟ ବାଣିଜ୍ୟ-ବ୍ୟବସାୟରେ ଆନ୍ତର୍ଜାତିକସ୍ତରରେ ଏକ ପ୍ରମୁଖ ରାଷ୍ଟ୍ରର ମାନ୍ୟତା ପାଇଛି ।

 

ଦ୍ୱିତୀୟତଃ, ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧିରେ ଭାରତରେ ମହାମାରୀ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ସୁସ୍ପଷ୍ଟ । ସାଧାରଣ ସମୟରେ ଅନଲାଇନ କ୍ଷେତ୍ରରେ ଯେଉଁ ଅଭିବୃଦ୍ଧି ଜାରିରହିଥିଲା ତାହା ମହାମାରୀ ପ୍ରଭାବିତ ଦୁଇବର୍ଷରେ ଅସ୍ୱାଭାବିକ ଭାବେ ବୃଦ୍ଧିରେ ପର୍ଯ୍ୟବଶିତ ହେଲା । ବିଶେଷଜ୍ଞମାନଙ୍କ ମତରେ ପରବର୍ତ୍ତୀ ତିନିବର୍ଷ, ଅର୍ଥାତ ୨୦୨୨ରୁ ୨୦୨୫ ମଧ୍ୟରେ ଏହି ଗତି ଅବ୍ୟାହତ ରହିପାରେ ଏବଂ ସମାଜର ସମସ୍ତ କ୍ଷେତ୍ରରେ ସୁଦୂରପ୍ରସାରୀ ପ୍ରଭାବର ସୂତ୍ରଧର ସାଜିବା ଅବସମ୍ଭାବୀ ।

 

ତୃତୀୟତଃ, ଭାରତରେ ଇଣ୍ଟରନେଟ ଉପଭୋକ୍ତାମାନେ ମନୋରଞ୍ଜନ, ଯୋଗାଯୋଗ ଓ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଅଧିକ ସମୟ ଅତିବାହିତ କରିଥାନ୍ତି । ମନୋରଞ୍ଜନଧର୍ମୀ ପାରମ୍ପରିକ ମଞ୍ଚଗୁଡ଼ିକ ଜନସାଧାରଣରେ ପରିବର୍ତ୍ତିତ ଆଚ଼ରଣ ହେତୁ ବିଘଟନର ସମ୍ମୁଖୀନ ହେବା ସ୍ୱାଭାବିକ । ତେବେ ସମସ୍ୟା ହେଲା ପାରମ୍ପରିକ ମଞ୍ଚ ସହ ସଂପୃକ୍ତ ପରିଚାଳକ ଓ ପ୍ରତିଭା ପରିବର୍ତ୍ତନର ରୂପରେଖ ସଂପର୍କରେ ସନ୍ଦୀହାନ । ଅନେକ କ୍ଷେତ୍ରରେ ପରିବର୍ତ୍ତନକୁ ସ୍ୱୀକାର କରିବା ନିମନ୍ତେ ମଧ୍ୟ ଅମଙ୍ଗ । ଏହି ପରିବେଶ ଦେଶର ମନୋରଞ୍ଜନ ଶିଳ୍ପରେ ୨୦୩୦ ବେଳକୁ ଅସ୍ୱାଭାବିକ ସ୍ଥିତି ଉପୁଜାଇବା ଆଶଙ୍କା କରାଯାଏ । ‘କାନ୍ତାର’ ରିପୋର୍ଟ ଅନୁଯାୟୀ ୨୦୨୫ ସୁଦ୍ଧା ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୯୦ କୋଟିରେ ପହଞ୍ଚିବା ଆକଳନ କରାଯାଉଥିବା ସ୍ଥଳେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ କକ୍ଷ-ଚ୍ୟୂତ ହେବା ଭୟ ଅମୂଳକ ନୁହେଁ ।

 

ଚ଼ତୁର୍ଥତଃ, ଏହି ପରିବର୍ତ୍ତନ ସ୍ରୋତରେ ଇଣ୍ଟରନେଟଭିତ୍ତିକ ଓଭର-ଦି-ଟପ ‘ଓଟିଟି’ ମଞ୍ଚର ବ୍ୟାପକ ପ୍ରସାର ସମ୍ଭବ । ମହାମାରୀର ଠିକ ପୂର୍ବରୁ ଅୟମାରମ୍ଭ ହୋଇଥିବା ଭାରତର ଓଟିଟି ମଞ୍ଚ ମହାମାରୀ-ପର ଅବସ୍ଥାରେ ୨୦୨୨ ପ୍ରଥମାର୍ଦ୍ଧରେ ଚଳଚ଼ିତ୍ର ଶିଳ୍ପ ଆୟରେ ଅର୍ଦ୍ଧେକ ସ୍ଥାନ ଅଧିକାର କରିଥିଲା । ‘କାନ୍ତାର’ ରିପୋର୍ଟ ଅନୁଯାୟୀ ସହରାଞ୍ଚଳ ସମତୁଲ ଗ୍ରାମାଞ୍ଚଳରେ ମଧ୍ୟ ଓଟିଟି ମଞ୍ଚର ଉପଭୋକ୍ତାଙ୍କ ସଂଖ୍ୟା ବଢ଼ିଛି । ଅର୍ଥାତ, ନୂତନ ପ୍ରଯୁକ୍ତି କୌଶଳ ସହରାଞ୍ଚଳର ଇଂଲିଶ ଶିକ୍ଷିତ, ଆର୍ଥିକ ଦିଗରୁ ସ୍ୱଚ୍ଛଳ, ସଂଭ୍ରାନ୍ତଙ୍କ ମଧ୍ୟରେ ସୀମାବଦ୍ଧ ରହିବ ବୋଲି ଯେଉଁ ବଦ୍ଧମୂଳ ଧାରଣା ରହିଥିଲା ତାହା ଭୂଲ ପ୍ରମାଣିତ ହେବାରେ ଲାଗିଛି ।

 

ପଞ୍ଚମତଃ, ମହାମାରୀ-ପର ଅବସ୍ଥାରେ ସହରାଞ୍ଚଳର ଇଣ୍ଟରନେଟ ଉପଭୋକ୍ତା ସଂଖ୍ୟାବୃଦ୍ଧି ପ୍ରାୟତଃ ସ୍ଥିର ରହିଥିବା ସ୍ଥଳେ ଗ୍ରାମାଞ୍ଚଳରେ ସଂପ୍ରସାରିତ ହେବାରେ ଲାଗିଛି । ଭବିଷ୍ୟତରେ ଏହି ଧାରା ପ୍ରଖର ହେବା ଆଶା କରାଯାଏ । ‘କାନ୍ତାର’ ରିପୋର୍ଟରେ ୨୦୨୧ ସୁଦ୍ଧା ସହରାଞ୍ଚଳରେ ୩୪ କୋଟି ୧୦ ଲକ୍ଷ ଇଣ୍ଟରନେଟ ଉପଭୋକ୍ତା ଥିବା ସ୍ଥଳେ ଗ୍ରାମାଞ୍ଚଳରେ ୩୫ କୋଟି ୧୦ ଲକ୍ଷ ଉପଭୋକ୍ତା ହିସାବ କରାଯାଇଥିଲା । ସହରାଞ୍ଚଳରେ ୬୯ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୩୭ ପ୍ରତିଶତ ଇଣ୍ଟରନେଟ ସଂଯୁକ୍ତି ରହିଥିଲା । ଅତଏବ, ଇଣ୍ଟରନେଟ ସଂଯୁକ୍ତି ଗ୍ରାମାଞ୍ଚଳରେ ବଢ଼ିବା ସଙ୍ଗେ ଉପଭୋକ୍ତା ସଂଖ୍ୟା ବୃଦ୍ଧିପାଇ ଅତିଶୀଘ୍ର ସହରାଞ୍ଚଳ ଉପଭୋକ୍ତାଙ୍କୁ ସଂଖ୍ୟାଲଘୁ ପ୍ରମାଣିତ କରିବ । ଏହି ପରିବେଶରେ ଗ୍ରାମାଞ୍ଚଳ ପାଠକ, ଶ୍ରୋତା ଓ ଦର୍ଶକଙ୍କ ରୁଚ଼ିକୁ ନେଇ ଗଣମାଧ୍ୟମ ଉପାଦାନ ପ୍ରସ୍ତୁତି ପ୍ରାଧାନ୍ୟ ଦାବୀ କରିବ ।

 

ଅନ୍ୟାନ୍ୟ ଉଲ୍ଲେଖନୀୟ ପରିସଂଖ୍ୟାନରେ ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ପୁରୁଷମାନଙ୍କ ସଂଖ୍ୟା ଅଧିକା ରହିଛି । ଏହା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଉଭୟ କ୍ଷେତ୍ରରେ ପ୍ରଯୁଜ୍ୟ । ଭାରତର ରାଜ୍ୟମାନଙ୍କ ମଧ୍ୟରେ ଗୋଆରେ ସର୍ବାଧିକ ଇଣ୍ଟରନେଟ ସଂଯୁକ୍ତି ଥିବା ସ୍ଥଳେ ବିହାର ସର୍ବନିମ୍ନ ସ୍ଥାନ ଅଧିକାର କରିଥାଏ । ଇଣ୍ଟରନେଟ ବ୍ୟବହାରରେ ଶ୍ରାବ୍ୟ ‘ଭଏସ’ ଓ ଆଞ୍ଚଳିକ ଭାଷା ବ୍ୟବହାରରେ ପ୍ରାଧାନ୍ୟ ରହିଛି । ଗ୍ରାମାଞ୍ଚଳର ପାଞ୍ଚଜଣ ଉପଭୋକ୍ତାଙ୍କ ମଧ୍ୟରେ ଦୁଇଜଣ ଭଏସ ଆଧାରିତ ଇଣ୍ଚରନେଟ ଉତ୍ପାଦ ନିଜ ସ୍ମାର୍ଟଫୋନରେ ସ୍ଥାନିତ କରିଥାନ୍ତି ।

 

ଇଣ୍ଟରନେଟ ସଂଯୁକ୍ତି ଅପେକ୍ଷାରେ ଦେଶର ୭୬ କୋଟି ୨୦ ଲକ୍ଷ ନାଗରିକ ରହିଛନ୍ତି । ଏମାନଙ୍କ ମଧ୍ୟରେ ୬୩ ପ୍ରତିଶତ ଗ୍ରାମବାସୀ ଅନ୍ତର୍ଭୁକ୍ତ । ଇଣ୍ଟରନେଟ ବ୍ୟବହାର କଳାକୌଶଳ ସଂପର୍କରେ ସଂପୂର୍ଣ୍ଣ ଅବଗତ ନଥିବା ହେତୁ ବହୁ ଉପଭୋକ୍ତା ସୀମିତ ଉପଯୋଗ କରିଥାନ୍ତି କିମ୍ୱା ଇଣ୍ଟରନେଟ ସେବାର ଧାର ମାଡ଼ି ନଥାନ୍ତି । ଏହି ପରିବେଶରେ ଇଣ୍ଟରନେଟର ବ୍ୟାବହାରିକ ଦିଗ ପ୍ରତି ଗୁରୁତ୍ୱ ଆରୋପ କରାଯିବା ଜରୁରି ମନେହୁଏ । ଭାରତୀୟ ଜନଜୀବନରେ ଇଣ୍ଟରନେଟ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇସାରିଥିବା ଏବଂ ଅର୍ଦ୍ଧେକ ନାଗରିକ ଇଣ୍ଟରନେଟ ମଞ୍ଚରେ ଦୈନିକଭିତ୍ତିରେ ଦୀର୍ଘ ସମୟ ବିତାଉଥିଲେ ସୁଦ୍ଧା ଇଣ୍ଟରନେଟ ବ୍ୟବହାର ସଂପର୍କରେ ଜନଶିକ୍ଷାର ସୁବିଧା ସୁଯୋଗ ନଥିବା, ଏପରିକି ବିଦ୍ୟାଳୟ ଶିକ୍ଷା ପରିସରଭୁକ୍ତ ହୋଇପାରିନଥିବା ସାମାଜିକ ଉଦାସୀନତାର ପରିଚାୟକ ।       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅଗଷ୍ଟ ୨୦୨


ତଥ୍ୟ:



Rural India takes driving seat in India’s internet usage growth : Report. BrandEquity. July 28, 2022

 

https://brandequity.economictimes.indiatimes.com/news/research/rural-india-takes-driving-seat-in-indias-internet-usage-growth-report/93182741?

 

I-CUBE

 

https://imrbint.com/site/reports/i-cube

 

Abrar, Peerzada. 45% growth in active internet users in rural India since 2019 : Study

 

https://www.business-standard.com/article/economy-policy/45-growth-in-active-internet-users-in-rural-india-since-2019-study-122050501161_1.html

ଇଣ୍ଟରନେଟ ମଞ୍ଚରେ ଶିଶୁ, କିଶୋର ଓ ମହିଳା 

ଭାରତରେ ଇଣ୍ଟରନେଟ ମଞ୍ଚରେ ୨୦୧୭ ରୁ ୨୦୨୨ ପାଞ୍ଚବର୍ଷ ମଧ୍ୟରେ ୫୦ କୋଟି ନୂତନ ଉପଭୋକ୍ତାଙ୍କ ପ୍ରବେଶ ଆକଳନ କରାଯାଏ । ବୈଦେଶିକନିବେଶକ‘ଓମିଡ଼େରନେଟୱାର୍କ ଇଣ୍ଡିଆ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଦେଶରେ ପ୍ରଥମ ୫୦ କୋଟି ଉପଭୋକ୍ତାଙ୍କ ତୁଳନାରେ ପରବର୍ତ୍ତୀ ୫୦ କୋଟି ଉପଭୋକ୍ତାଙ୍କ ସ୍ଵରୂପ ଭିନ୍ନ ରହିବ । ନୂତନ ଉପଭୋକ୍ତାଙ୍କ ମଧ୍ୟରେ ସଂଖ୍ୟାଧିକ ମହିଳା ସାମିଲ ହେବା, ବଡ଼ସହରଗୁଡ଼ିକ ତୁଳନାରେ ଛୋଟ ସହର ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଯୋଗଦାନ ତଥା ପ୍ରଥମ ବର୍ଗର ଉପଭୋକ୍ତାଙ୍କ ତୁଳନାରେ ଭିନ୍ନ ରୁଚ଼ିସମ୍ପନ୍ନ ହେବା ଆଶା କରାଯାଏ ।

 

ପାରମ୍ପରିକଭାବେ ଆମ ଦେଶରେ ଇଣ୍ଟରନେଟ ମଞ୍ଚରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ସଂଖ୍ୟା କମ । ଏହାର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ମହିଳାମାନଙ୍କଠାରେ ଇଣ୍ଟରନେଟ ଆହରଣ କରିବାଲାଗିସ୍ମାର୍ଟଫୋନ, ଟେବଲେଟ, ଲ୍ୟାପଟପ ବା ଡ଼େସ୍କଟପ ତଥା ଡ଼ାଟା କ୍ରୟ ଶକ୍ତି ଅଭାବସାଙ୍ଗକୁ ବ୍ୟକ୍ତିଗତ ସୁରକ୍ଷା କାରଣରୁ ଅତ୍ୟାଧୁନିକ ମାଧ୍ୟମ ବ୍ୟବହାରରୁ ଦୂରେଇ ରହି ଆସିଛନ୍ତି । କିନ୍ତୁ ଏହି ସବୁ ପ୍ରତିବନ୍ଧକ କ୍ରମଶଃ ଦୂର ହେଉଥିବା ଲକ୍ଷ୍ୟ କରାଯାଏ ।

 

ଭାରତରେ ଇଣ୍ଟରନେଟ ମଞ୍ଚରେ ପହଞ୍ଚିଥିବାଲାଗି ମୁଖ୍ୟତଃ ସ୍ମାର୍ଟଫୋନ ବ୍ୟବହୃତ ହୋଇଥାଏ । ୨୦୧୯ ଶେଷ ସୁଦ୍ଧା ଦେଶରେ ୩୭ ରୁ ୩୮ କୋଟି ସ୍ମାର୍ଟଫୋନ ବ୍ୟବହୃତ ହେଉଥିବା ସ୍ଥଳେ ବାର୍ଷିକଭିତ୍ତିରେ ଅଭିବୃଦ୍ଧି ବିଚାରକୁ ନେଲେ ୨୦୨୨ ସୁଦ୍ଧା ୪୫ କୋଟିରେ ପହଞ୍ଚିବା ହିସାବ କରାଯାଏ । ସ୍ମାର୍ଟଫୋନ ବ୍ୟବହାର ସଂଖ୍ୟା ବୃଦ୍ଧିରେ ମହିଳାମାନେ ସାମିଲ ହେଲେ ସ୍ୱତଃପ୍ରବୃତ୍ତଭାବେସେମାନେ ଇଣ୍ଟରନେଟ ଉପଭୋକ୍ତାରେ ପରିଣତ ହେବେ । ସାମାଜିକ, ଅର୍ଥନୀତିକ, ଶିକ୍ଷାଗତ, ସାଂସ୍କୃତିକ ଓ ରାଜନୀତିକସ୍ତରରେ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଉଥିବା ହେତୁ ସମାଜର ବିଭିନ୍ନ ବର୍ଗ ସହ ମହିଳାମାନଙ୍କ ମଧ୍ୟରେ ଏଥିପ୍ରତି ଶଙ୍କା ଦୂର ହେବା ନିଶ୍ଚିତ ।

 

ପ୍ରଚଳିତ ଧାରାରେ ଇଣ୍ଟରନେଟ ମଞ୍ଚରେ ନବାଗତମାନେ ପ୍ରଥମେ ‘ହ୍ୱାଟସଆପ’ ଓ ‘ୟୁଟ୍ୟୁବ’ ବ୍ୟବହାର କରିଥାନ୍ତି । କ୍ରମଶଃ ସମ୍ୱାଦ, ବିଭିନ୍ନ ବିଷୟରେ ସୂଚନା ଓ ବିନାମୂଲ୍ୟରେ ବିତରିତ ବିଷୟଅନଲାଇନରେ ଆହରଣ କରନ୍ତି । ପରବର୍ତ୍ତୀ ଅବସ୍ଥାରେ ସୋସିଆଲ ମିଡ଼ିଆ, ଇକମର୍ସ, ବ୍ୟାଙ୍କିଙ୍ଗ, ପର୍ଯ୍ୟଟନ, ଶିକ୍ଷା ସଂବନ୍ଧୀୟ ମଞ୍ଚଗୁଡ଼ିକରେ ପ୍ରବେଶ କରିଥାନ୍ତି । ୨୦୧୯ ଶେଷ ସୁଦ୍ଧା ବଡ଼ସହରଗୁଡ଼ିକରେ ପ୍ରାୟ ଚାରିରୁ ପାଞ୍ଚ କୋଟି ଉପଭୋକ୍ତା ଇଂଲିଶ ଭାଷା ମାଧ୍ୟମରେ ଇଣ୍ଟରନେଟ ସର୍ବସ୍ୱ ଜୀବନଯାତ୍ରାରେ ସାମିଲ ହୋଇ ସାରିଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ଛୋଟ ସହର ଓ ଗ୍ରାମାଞ୍ଚଳରେ ଉପଭୋକ୍ତା ସାମିଲ ହେବେ । ଏହି କାରଣରୁ ଇଂଲିଶ ଭିନ୍ନ ହିନ୍ଦି ସମେତ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ଇଣ୍ଟରନେଟ ମଞ୍ଚରେ ବହୁଳ ବ୍ୟବହୃତ ହେବ । ଭାଷାଗତ ପ୍ରତିବନ୍ଧକ ହଟିଲେ ଅଧିକ ସଂଖ୍ୟକ ମହିଳା ଇଣ୍ଟରନେଟ ଉପଭୋକ୍ତା ହେବା ସହଜପ୍ରଦ ହେବ ବୋଲି କୁହାଯାଇପାରେ ।

 

ଭାରତରେ ଇଣ୍ଟରନେଟ ମଞ୍ଚରେ ମହିଳାମାନଙ୍କ ସାଙ୍ଗକୁ ଶିଶୁ ଓ କିଶୋରଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଇଣ୍ଟରନେଟରେ ଏହି ତିନି ବର୍ଗର ଉପଭୋକ୍ତା ନିର୍ଯ୍ୟାତିତ ହେଉଥିବା ଅଭିଯୋଗ ମଧ୍ୟ ବୃଦ୍ଧିପ୍ରାପ୍ତ ହୋଇଛି । ବିଭିନ୍ନ ସୂତ୍ରରେ ହିସାବ ଅନୁଯାୟୀ ୨୦୧୯ ଶେଷ ସୁଦ୍ଧା ଭାରତୀୟ ଇଣ୍ଟରନେଟ ଉପଭୋକ୍ତାମାନେ ହାରାହାରି ପ୍ରାୟ ତିନିଘଣ୍ଟା ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି । ଏହି ସମୟସୀମା ମଧ୍ୟରେ କଥୋପକଥନ, ସମ୍ୱାଦ, ସୂଚନା, ସୋସିଆଲ ମିଡ଼ିଆ ଓ ମନୋରଞ୍ଜନ ଅନ୍ତର୍ଭୁକ୍ତ । ମହିଳା ଉପଭୋକ୍ତାମାନଙ୍କଠାରେ ଏହି ସମୟ ସୀମା ସାମାନ୍ୟ ଅଧିକ ହୋଇଥିବା ସ୍ଥଳେ କିଶୋର ବର୍ଗରେ ଢ଼େର ଅଧିକ ।

 

ଇଣ୍ଟରନେଟ ଗବେଷଣା ସଂସ୍ଥା ‘ମ୍ୟାକ-ଏ-ଫି’ ପକ୍ଷରୁ ୨୦୧୪ରେ ଭାରତର ଦଶ ଗୋଟି ବଡ଼ ସହରରେ ୪ ବର୍ଷରୁ ୧୨ ବର୍ଷ ବୟସ୍କ ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ଇଣ୍ଟରନେଟ ବ୍ୟବହାର ସଂପର୍କରେ ଏକ ସର୍ବେକ୍ଷଣ ଆୟୋଜିତ ହୋଇଥିଲା । ସେଥିରୁ ଜଣାଯାଇଥିଲା ଯେ ୬୨ ପ୍ରତିଶତଙ୍କନିଜସ୍ୱ ଇ-ମେଲ ଠିକଣା ଥିଲା, ୭୧ ପ୍ରତିଶତ ଅପରିଚିତ ବ୍ୟକ୍ତିବିଶେଷଙ୍କ ସହ ଅନଲାଇନରେ ଯୋଗାଯୋଗ ସ୍ଥାପନ କରିଥିଲେ ଏବଂ ୬୪ ପ୍ରତିଶତ ନିଜ ଅସଲି ପରିଚୟ ଲୁଚାଇ ନକଲି ପ୍ରୋଫାଇଲରେଅନଲାଇନ ମଞ୍ଚଗୁଡ଼ିକରେ ଅବତୀର୍ଣ୍ଣ ହେଉଥିଲେ । ସେଥିମଧ୍ୟରୁ ୪୬ ପ୍ରତିଶତ ମଧ୍ୟ ସ୍ୱୀକାର କରିଥିଲେ ଯେ ସେମାନଙ୍କ ଅନଲାଇନ ସଂପୃକ୍ତି ଭବିଷ୍ୟତରେ ସେମାନଙ୍କୁ ବିପଦର ସମ୍ମୁଖୀନ କରାଇପାରେ ।

 

ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ଇଣ୍ଟରନେଟ ବ୍ୟବହାର ଏକ ବାସ୍ତବତାରେ ପରିଣତ ହୋଇଥିବା, ସେମାନେ ବୟସ୍କଙ୍କଠାରୁ ଅଧିକ ସମୟ ଅନଲାଇନରେ ଉପସ୍ଥିତ ରହୁଥିବା ଏବଂ ଆଗକୁ ଏହି ପ୍ରବାହ ବଢ଼ିବାସ୍ୱତଃସିଦ୍ଧ ଥିବା ସ୍ଥଳେ ଇଣ୍ଟରନେଟ ମଞ୍ଚରେ ସେମାନଙ୍କ ସୁରକ୍ଷା ଲାଗି ଅଭିଭାବକ କିମ୍ୱା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯଥୋଚ଼ିତ ପଦକ୍ଷେପ ଗ୍ରହଣ କରାଯାଉନଥିବା ଉଦବେଗର କାରଣ ପାଲଟିଛି । ସ୍ଥଳବିଶେଷରେ ଅଭିଭାବକଙ୍କ ପକ୍ଷରୁ ସନ୍ତାନସନ୍ତତିଙ୍କୁ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବ୍ୟବହାର କ୍ଷେତ୍ରରେ ଏକ ପକ୍ଷରେ ପୂର୍ଣ୍ଣ ଆକଟ କରାଯାଉନଥିବା ସ୍ଥଳେ ଅପରପକ୍ଷରେ ମୋଟରୁ ବ୍ୟବହାରଲାଗି ଅନୁମତି ଦିଆଯାଉ ନଥିବା ଦେଖିବାକୁ ମିଳିଥାଏ । ଉଭୟ ପରିବେଶ ଦୋଷାବହ ।

 

ବିଶେଷଜ୍ଞମାନେ ଶିଶୁ ଓ କିଶୋରଙ୍କ ଇଣ୍ଟରନେଟ ଉପସ୍ଥିତି ସଂପର୍କରେ ସେମାନଙ୍କ ମଧ୍ୟରେ ସଚେତନତା ପ୍ରସାର ନିମନ୍ତେ ଗୁରୁତ୍ୱ ଆରୋପ କରିଥାନ୍ତି । ପାରିବାରିକସ୍ତରରେ ପିତାମାତା ବିଭିନ୍ନ ମଞ୍ଚ ବ୍ୟବହାର ସଂପର୍କରେ ସାବଧାନତା ଅବଲମ୍ୱନ ନିମନ୍ତେ ନିଜ ଦକ୍ଷତା ଅନୁଯାୟୀପରାମର୍ଶ ଦେବା ଉଚିତ । ବିଦ୍ୟାଳୟସ୍ତରରେ ବିଭିନ୍ନ ମଞ୍ଚ ବ୍ୟବହାରଲାଗିଉପଲବ୍ଧ ସୁରକ୍ଷା ବଳୟ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ବିଧିବଦ୍ଧଭାବେ ପ୍ରଶିକ୍ଷିତ କରାଇବା ଆବଶ୍ୟକ । ସହଭାଗିତା ପଦ୍ଧତି ‘ପାର୍ଟିସେପଟରିମେଥଡ଼’ରେ ଛାତ୍ରଛାତ୍ରୀମାନେ ସାପ୍ତାହିକଭିତ୍ତିରେଏକତ୍ରୀତ ହୋଇ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ନିଜ ନିଜ ଅଭିଜ୍ଞତା ବର୍ଣ୍ଣନା କରିବା ତଥା ସୃଷ୍ଟ ସମସ୍ୟାର ସମାଧାନ ନିମନ୍ତେ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେରାସ୍ତା ଖୋଜି ବାହାର କରିବା ଭଳି କସରତ ଫଳପ୍ରଦ ହେବା କୁହାଯାଏ ।

 

ଅବାଞ୍ଛିତ ଟେଲିଫୋନ କଲ ‘ସ୍ପାମ’ କ୍ଷେତ୍ରରେ ଭାରତ ‘ଟ୍ରୁକଲରଇନସାଇଟ ରିପୋର୍ଟ’ ଅନୁଯାୟୀ ଆନ୍ତର୍ଜାତିକସ୍ତରରେ ୨୦୧୭ରେ ପ୍ରଥମ ସ୍ଥାନରେ ରହିଥିବା ସ୍ଥଳେ ୨୦୧୮ରେ ଦ୍ୱିତୀୟ ଏବଂ ୨୦୧୯ରେ ପଞ୍ଚମ ସ୍ଥାନକୁ ଖସିଛି । ଦେଶରେ ଟେଲିଫୋନ ବ୍ୟବହାର କରୁଥିବା ଏକ ତୃତୀୟାଂଶ ମହିଳା ଅବାଞ୍ଛିତ ଟେଲିଫୋନ କଲ ଗ୍ରହଣ କରିଥାନ୍ତି । ସେଥିମଧ୍ୟରୁ ହାରାହାରି ୫୨ ପ୍ରତିଶତ ମହିଳା ସପ୍ତାହକୁ ଅନ୍ତତଃ ଥରେଯୌନନିର୍ଯ୍ୟାତନାମୂଳକ ବାର୍ତ୍ତାଳାପର ଶୀକାର ହେଉଥିବା ଜଣାଯାଏ । ଏହି ପରିସଂଖ୍ୟାନ ଆଧାରରେ ଇଣ୍ଟରନେଟର ବିଭିନ୍ନ ମଞ୍ଚରେ ମହିଳାମାନଙ୍କ ନିର୍ଯ୍ୟାତନା ହାର ଆକଳନ କରିହୁଏ । ଶିଶୁ ଓ କିଶୋରବର୍ଗରେ ମଧ୍ୟ ସମଦଶା ପ୍ରତିଫଳିତ ହୋଇଥାଏ ।

 

ଇଣ୍ଟରନେଟରେ ଶିଶୁ, କିଶୋର ଓ ମହିଳାମାନଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ‘ପାର୍ଲାମେଣ୍ଟରୀଷ୍ଟାଣ୍ଡିଂ କମିଟି’ ପକ୍ଷରୁ ୨୦୧୯ ଡ଼ିସେମ୍ୱର ପ୍ରଥମ ସପ୍ତାହରେ ‘ଫେସବୁକ’ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଅନୁଷ୍ଠିତ ହୋଇଥିବା ଏବଂ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ପ୍ରମୁଖ ମଞ୍ଚଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ଜଣାଯାଏ । ଏହି ଅବସରରେ ବିଭିନ୍ନ ସୋସିଆଲ ମିଡ଼ିଆ ମଞ୍ଚରେ ଗାଳିଗୁଲଜ, ମାନହାନୀ, ଅଶ୍ଳୀଳ, ହିଂସ୍ର, ତଥା ଆତଙ୍କ ଉଦ୍ରେକକାରୀ ପୋଷ୍ଟ ଗୁଡ଼ିକ ସାଧାରଣ ଜନତା କିମ୍ୱା ସରକାରଙ୍କ ଦ୍ୱାରା ଅନୁରୋଧ ଦରଜ ପରେ ତୁରନ୍ତ ଅପସାରଣ ଦିଗରେ ଯତ୍ନବାନ ହେବା ନିମନ୍ତେ ପରାମର୍ଶ ଦିଆଯାଇଛି ।

 

କମିଟି ପକ୍ଷରୁବିଶେଷ କରି ଅସଦାଚରଣ, ବଳାତ୍କାର ଭଳି ମହିଳା ବିରୋଧୀ ପୋଷ୍ଟଗୁଡ଼ିକ କିପରି ତୁରନ୍ତ ପ୍ରସାର ରୋକାଯାଇ ପାରିବ ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଇଣ୍ଟରନେଟ ମଞ୍ଚଗୁଡ଼ିକରେ ଶିଶୁ ଓ କିଶୋରମାନଙ୍କ ସୁରକ୍ଷାଲାଗି ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଏକାଉଣ୍ଟ ଖୋଲିବା ନିମନ୍ତେ ସର୍ବନିମ୍ନ ବୟସସୀମା ୧୩ ବର୍ଷରୁ ଅନ୍ତତଃ ପକ୍ଷେ ୧୫ ବର୍ଷକୁ ବୃଦ୍ଧି କରାଯିବା ନିମନ୍ତେ ବିଶେଷଜ୍ଞମାନେ ମତ ପ୍ରକାଶ କରିଥାନ୍ତି । ଏଥିସହ ସେମାନେ ଏକାଉଣ୍ଟ ଖୋଲିବା ସମୟରେ ଅଭିଭାବକମାନଙ୍କ ସମ୍ମତ୍ତିର ପ୍ରାବଧାନ ରଖିବା ନିମନ୍ତେ ଇଣ୍ଟରନେଟ ସୁରକ୍ଷା ସଂସ୍ଥା ‘ଲୋକାଲସର୍କଲସ’ ପକ୍ଷରୁ ଯୁକ୍ତି ବଢ଼ାଯାଇଥାଏ ।

 

‘ଫେସବୁକ’ ପକ୍ଷରୁ କୁହାଯାଉଛି ଯେ ସୋସିଆଲ ମିଡ଼ିଆ ମଞ୍ଚରେ ଶିଶୁ, କିଶୋର ଓ ମହିଳାଙ୍କ ସୁରକ୍ଷା ଲାଗି ଅନୁଚିତ ପାଠ୍ୟ, ଚିତ୍ର ଓ ଭିଡ଼ିଓ ପ୍ରସାରଣ ରୋକିବା ନିମନ୍ତେ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲଇଣ୍ଟଲିଜେନ୍ସ’ ଓ ନିୟାମକ କର୍ମଚାରୀ ‘ମଡ଼ରେଟର’ମାନଙ୍କୁ ନିଯୁକ୍ତ କରାଯାଉଛି । ପ୍ରାଥମିକସ୍ତରରେ ଯାନ୍ତ୍ରିକ ଜ୍ଞାନରେ ଅଭିଯୁକ୍ତ ପୋଷ୍ଟଗୁଡ଼ିକସ୍ୱୟଂକ୍ରିୟଭାବେ‘ଆଟୋମେଟିକ’ତନଖି କରିବା ପରେ ପରବର୍ତ୍ତୀସ୍ତରରେନିୟାମକମାନେ ସମୀକ୍ଷା କରିଥାନ୍ତି । ଅନ୍ୟତମ ସୋସିଆଲ ମିଡ଼ିଆ ମଞ୍ଚ ‘ଟିକଟକ’ ପକ୍ଷରୁ ୨୦୧୯ରେ ପୂର୍ବବର୍ଷ ତୁଳନାରେ ୪୦୦ ପ୍ରତିଶତ ଅଧିକ ନିୟାମକ ନିଯୁକ୍ତି ଦିଆଯାଇଥିବା ପ୍ରକାଶ ପାଇଛି । ସରକାରୀସ୍ତରରେ ଇଣ୍ଟରନେଟ ମଞ୍ଚରେ ଶିଶୁ, କିଶୋର ଓ ମହିଳାମାନଙ୍କ ସୁରକ୍ଷା ଲାଗି ଚାପ ବଢୁଥିବା ତଥା ନୂତନ ଆଇନ ପ୍ରଣୟନ ଚୁଡ଼ାନ୍ତ ହୋଇସାରିଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ପକ୍ଷରୁ ତତ୍ପରତା ସ୍ୱାଭାବିକ । ତେବେ ଭାରତର ବିବିଧତାପୂର୍ଣ୍ଣ ଆଭ୍ୟନ୍ତରୀଣ ଭୌଗଳିକ ପରିବେଶରେ ଅନଲାଇନଉପସ୍ଥିତି କିପରି ସୁରକ୍ଷିତ ହୋଇପାରିବ ତାହା ଏକ ବଡ଼ ପ୍ରଶ୍ନ ।        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୧୯


ତଥ୍ୟ:

 

Lal, Pavan. Half a billion new users will log into internet by 2022 : Report. Business Standard (Bhubaneswar Edition). November 29, 2019.

 

Bharati, Aparjita. India needs digital citizenship education. The Times of India (Bhubaneswar Edition). November 30, 2019.

 

You are now getting more spam calls than ever. The Times of India (Bhubaneswar Edition). December 06, 2019.

 

Choudhury, Karan  & Neha Alawadhi. Chinese social media apps on women’s panel radar. Business Standard (Bhubaneswar Edition). December 7/8, 2019).

 

Joshi, Sonam. They’re watching rape and raunchy videos so that you don’t have to. The Times of India (Bhubaneswar Edition). November 30, 2019.

ଓଡ଼ିଶାରେ ଟେଲି- ସାନ୍ଦ୍ରତା

ଓଡ଼ିଶାରେ ଟେଲି-ସାନ୍ଧ୍ରତା ଓ ଇଣ୍ଟରନେଟ ସଂଯୁକ୍ତି ଜାତୀୟ ହାରଠାରୁ କମ ରହିଛି । ରାଜ୍ୟ ବିଧାନସଭାରେ ୨୦୧୯ ଜୁନ ଶେଷ ସପ୍ତାହରେ ଉପସ୍ଥାପିତ ଓଡ଼ିଶା ଅର୍ଥନୀତିକ ସର୍ବେକ୍ଷଣ ୨୦୧୮-୧୯ ଅନୁଯାୟୀ ଭାତରେ ଟେଲି-ସାନ୍ଧ୍ରତା ୯୧.୦୯ ପ୍ରତିଶତ ଛୁଇଁଥିବା ସ୍ଥଳେ ଓଡ଼ିଶାରେ ୭୯.୫୮ ପ୍ରତିଶତରେ ଅଟକିଛି । ଏଠାକାର ମୋଟ ଟେଲିଫୋନ ସଂଯୋଗ ସଂଖ୍ୟା ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ୩ କୋଟି ୪୬ ଲକ୍ଷ ରହିଥିଲା । ଆଧୁନିକ ଜନଜୀବନରେଟେଲିସଂଯୁକ୍ତି ବିକାଶର ମାନଙ୍କରୂପେ ପରିଗଣିତ ହେଉଥିବା ସ୍ଥଳେ ପଡ଼ୋଶୀରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ପଛରେ ପଡିରହିଛି । ଏତଦ୍ୱାରା ସାମାଜିକ ବିକାଶ ପ୍ରଭାବିତ ହେଉଥିବା ସ୍ୱାଭାବିକ ।


 

ବିଂଶ ଶତାଦ୍ଦୀ ଓ ଏକବିଂଶ ଶତାଦ୍ଦୀ ସନ୍ଧିକାଳରୁ ମୋବାଇଲ ଟେଲିଫୋନ ସେବା ବିଶ୍ୱବ୍ୟାପୀ ଭାରତଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଯୋଗାଯୋଗ ମାଧ୍ୟମରେ ନୂତନ ସମୀକରଣ ସୃଷ୍ଟି କରିଛି । ଦେଶର ଗ୍ରାମାଞ୍ଚଳରେ ବ୍ୟାପକ ମୋବାଇଲ ବ୍ୟବହାର ଅର୍ଥନୀତି, ଦେଶାନ୍ତର, ମନୋରଞ୍ଜନ ଇଦ୍ୟାଦି କ୍ଷେତ୍ରକୁ ପ୍ରଭାବିତ କରିଛି ।କେନ୍ଦ୍ର  ସରକାରଙ୍କ ଟେଲି-କମ୍ୟୁନିକେସନ ବିଭାଗ ଆନୁକୂଲ୍ୟରେ ୨୦୧୬-୧୭ ଆର୍ଥିକ ବର୍ଷର ହିସାବ ଅନୁଯାୟୀଓଡ଼ିଶାର ପ୍ରାୟ କୋଡ଼ିଏ ପ୍ରତିଶତ ଗ୍ରାମରେ ମୋବାଇଲସେବା ଅପହଞ୍ଚ । ରାଜ୍ୟର ୫୧,୩୧୧ ଗ୍ରାମ ମଧ୍ୟରୁ ୧୧,୦୦୦ ଗ୍ରାମରେ ମୋବାଇଲ ସେବା ଅଭାବ । ଫଳରେ ଏଭଳି ଗ୍ରାମାଞ୍ଚଳରେ ବସବାସ କରୁଥିବା ରାଜ୍ୟବାସୀ ମୋବାଇଲ ଫୋନ ବ୍ୟବହାର କରିପାରୁନାହାନ୍ତି ।


 

ଗଜପତି, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ ଜିଲ୍ଲାରେ ମୋବାଇଲ ସଂଯୁକ୍ତି ପଛରେ ପଡିଛି । ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇପାରିନଥିବା ଏଗାର ହଜାର ଗ୍ରାମ ମଧ୍ୟରୁ ଦଶ ହଜାର ଗ୍ରାମ ବାମପନ୍ଥୀ ଉଗ୍ରବାଦୀ ଅଧ୍ୟୁଷିତ ଅଞ୍ଚଳ ବୋଲି ଜଣାଯାଇଛି । ଉଗ୍ରବାଦୀମାନେ ନିଜ ଅଧିପତ୍ୟ ବିସ୍ତାର କରିଥିବା ଅଞ୍ଚଳଗୁଡ଼ିକରେ ରାସ୍ତାଘାଟ, ଟେଲିଯୋଗାଯୋଗ ଭିତ୍ତିଭୂମିକୁ ବିରୋଧ କରିଥାନ୍ତି । ଯୋଗାଯୋଗର ପରିଧି ବୃଦ୍ଧିପ୍ରାପ୍ତ ହେଲେ ପୋଲିସ ଓ ପ୍ରଶାସନ ସେମାନଙ୍କ କାର୍ଯ୍ୟଧାରାକୁ ଦମନ କରିବା ସହଜସାଧ୍ୟ ହେବା ଭୟ ଥିବା ହେତୁ ରାସ୍ତାଘାଟରେ ପୋଲ ଓ ମୋବାଇଲ ଟାୱାର ନିର୍ମିତ ହେବାମାତ୍ରେସେଗୁଡ଼ିକୁବିସ୍ପୋରକ ଖଞ୍ଜି ଉଡ଼ାଇ ଦେଇଥାନ୍ତି ।


 

ଓଡ଼ିଶାର ଉଗ୍ରବାଦୀଉପଦୃତ ଅଞ୍ଚଳରେ ମୋବାଇଲ ସେବା ବିସ୍ତାର କରିବା ନିମନ୍ତେ ଘରୋଇ ଟେଲିଯୋଗାଯୋଗକମ୍ପାନୀଗୁଡ଼ିକ ବୀତସ୍ପୃହ ହେବା ପଛରେ ସେଠାକାର ଗ୍ରାମାଞ୍ଚଳରେ ସ୍ଥାନୀୟ ଅଧିବାସୀ ବିଚ୍ଛୁରିତ ଭାବେ ବସବାସ କରିବା ଅନ୍ୟତମ କାରଣ । ପାରମ୍ପରିକ ଭାବେ ବଣଜଙ୍ଗଲଘେରାପାର୍ବତ୍ୟାଞ୍ଚଳଗୁଡ଼ିକରେଅବସ୍ଥିତ ଗ୍ରାମଗୁଡ଼ିକର ଲୋକସଂଖ୍ୟା ବହୁତ କମ ରହୁଥିବା ହେତୁ କମ ଉପଭୋକ୍ତାଙ୍କ ଉପସ୍ଥିତିରେ ମୋବାଇଲ ଟାୱାର ସ୍ଥାପନ କରି ସେଗୁଡ଼ିକର ରକ୍ଷଣାବେକ୍ଷଣ ଖର୍ଚ୍ଚବହୁଳ ହେବା ସ୍ୱାଭାବିକ । ବ୍ୟାବସାୟିକ ଲାଭର ଆଶା ନଥିବା ହେତୁ ଘରୋଇ କମ୍ପାନୀମାନେ ଏଭଳି ଅଞ୍ଚଳରେ ମୋବାଇଲ ନେଟୱାର୍କ ସ୍ଥାପନରୁ ବିରତ ରହୁଥିବା ଲକ୍ଷ୍ୟ କରାଯାଏ ।


 

ମୋବାଇଲ ଅପହଞ୍ଚ ଅଞ୍ଚଳରେ ଭିତ୍ତିଭୂମି ସୃଷ୍ଟି ଦିଗରେ ପ୍ରୋତ୍ସାହନ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ଓଡ଼ିଶା ମୋବାଇଲ ଟାୱାର, ଅପ୍ଟିକ ଫାଇବର, କେବଲ ଏଣ୍ଡ ରିଲେଟେଡ଼ଟେଲକମଇନଫ୍ରାଷ୍ଟ୍ରକଚ଼ରପଲିସି ୨୦୧୭’ ପ୍ରଣୀତ ହୋଇଥିଲେ ହେଁ କେହି ଏଦିଗରେ ବିଶେଷ ତତ୍ପରତା ପ୍ରକାଶ କରୁଥିବା ଜଣାଯାଏ ନାହିଁ । ମୋବାଇଲ ଟାୱାର ଇତ୍ୟାଦି ସ୍ଥାପନ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ ସୁବିଧାଜନକକରାଯାଉଥିଲେହେଁ ବ୍ୟାବସାୟିକ କାରଣରୁ ଘରୋଇ କମ୍ପାନୀମାନେ ବିମୁଖ ହେଉଥିବା ନିଶ୍ଚିତ ।


 

ସେହିପରି ଇଣ୍ଟରନେଟ କ୍ଷେତ୍ରରେ ଜାତୀୟସ୍ତରରେ ପ୍ରତି ଶହେ ଜନସଂଖ୍ୟାରେ ୩୮.୦୨ ଜଣ ସାମିଲ ହୋଇଥିବାସ୍ଥଳେ ଓଡ଼ିଶାରେ ୨୮.୨୨ ଜଣ ସଂଯୁକ୍ତ । ରାଜ୍ୟର ଗ୍ରାମାଞ୍ଚଳରେ ଇଣ୍ଟରନେଟ ସଂଯୁକ୍ତି ମାତ୍ର ୧୬ ପ୍ରତିଶତ ରହୁଥିବା ସ୍ଥଳେ ସହରାଞ୍ଚଳରେ ୮୩.୩ ପ୍ରତିଶତ ହିସାବ କରାଯାଇଥାଏ । ଅର୍ଥାତ ଓଡ଼ିଶାର ସହରାଞ୍ଚଳରେ ଇଣ୍ଟରନେଟ ଅଭିବୃଦ୍ଧି ହାର ବେଶ ଉତ୍ସାହଜନକ ଥିବାବେଳେ ଗ୍ରାମାଞ୍ଚଳରେ ନୈରାଶ୍ୟଜନକ ।


 

ଟେଲିଯୋଗାଯୋଗ ଓ ମୋବାଇଲ ସେବା କ୍ଷେତ୍ରରେ ରାଜ୍ୟ ପଛୁଆ ଥିବା ହେତୁ ଇଣ୍ଟରନେଟ ସଂଯୁକ୍ତି କମ ରହୁଛି । ଇଣ୍ଟରନେଟ ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସାଂସ୍କୃତିକ ଜୀବନ ଯାଏଁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଭାବ ବିସ୍ତାର କରୁଥିବା ସ୍ଥଳେ ଓଡ଼ିଶାବାସୀସେଦିଗରେ ପଛୁଆ ରହୁଛନ୍ତି । ଇଣ୍ଟରନେଟ ମାଧ୍ୟମରେ ଆଞ୍ଚଳିକ ଭାଷା ବ୍ୟବହାରରେ ନୂତନ ପରୀକ୍ଷାନିରୀକ୍ଷା ଚ଼ାଲିଥିବା ସ୍ଥଳେ କମ ଉପଭୋକ୍ତା କାରଣରୁ ଇଣ୍ଟରନେଟ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ପଡ଼ୋଶୀଭାଷାଭାଷୀଙ୍କଠାରୁ ପଛରେ ପଡ଼ିରହୁଛି । ମୁଦ୍ରଣ କାରିଗରୀ କୌଶଳ ବିକାଶରେ ବିଳମ୍ୱ କାରଣରୁ ଓଡ଼ିଶାବାସୀ ଯେତିକି କ୍ଷତି ସହିଛନ୍ତି ଇଣ୍ଟରନେଟ ସଂଯୁକ୍ତି କ୍ଷେତ୍ରରେ ଶୀଥିଳତା ମଧ୍ୟ ଦୀର୍ଘକାଳୀନଭିତ୍ତିରେ ଓଡ଼ିଶା ସମାଜକୁ ଯେ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ ।


 

ଓଡ଼ିଶା ଅର୍ଥନୀତିକ ସର୍ବେକ୍ଷଣ ୨୦୧୮-୧୯ ଅନୁଯାୟୀ ରାଜ୍ୟର ଶତପ୍ରତିଶତ ଗ୍ରାମରେ ବିଦ୍ୟୁତ ଯୋଗାଣ ସଂଭବପର ହୋଇପାରିଛି । ଏହା ଫଳରେ ଗ୍ରାମାଞ୍ଚଳରେ ଟେଲିଭିଜନ ସେଟ ଓ ଦର୍ଶକ ସଂଖ୍ୟା ବଢ଼ିବା ସୁନିଶ୍ଚିତ । ବିଦ୍ୟୁତ ସଂଯୋଗ ମୋବାଇଲ ଟାୱାର କାର୍ଯ୍ୟକ୍ଷମ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ହେତୁ ବିଦ୍ୟୁତିକରଣ ଫଳରେ ଅପହଞ୍ଚ ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ ଓ କାର୍ଯ୍ୟକାରୀ ହେଲେ ନିକଟ ଭବିଷ୍ୟତରେ ଟେଲି-ସାନ୍ଧ୍ରତା ବୃଦ୍ଧିରେ ସହାୟକ ହେବା ଆଶା କରାଯାଇପାରେ ।


 

ଲୋକସଭାରେ ୨୦୧୯ ଶୀତକାଳୀନ ଅଧିବେଶନ ପ୍ରଶ୍ନୋତ୍ତର କାଳରେ କେନ୍ଦ୍ର ଟେଲିକମ୍ୟୁନିକେସନ ମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ ୨୦୧୮ ସୁଦ୍ଧା ଦେଶରେ ୧୨୦ କୋଟି ଟେଲିଫୋନ ଉପଭୋକ୍ତା ଥିବା ସ୍ଥଳେ ସେମାନଙ୍କ ମଧ୍ୟରେ ୧୧୭ କୋଟି ମୋବାଇଲ ଫୋନ ସଂଯୁକ୍ତି ହିସାବ କରାଯାଇଥିଲା । ସମଗ୍ର ଦେଶରେ ୯୦ ପ୍ରତିଶତ ଟେଲିସାନ୍ଧ୍ରତା ଅଧିକୃତ ହୋଇଥିଲେ ହେଁ ସମଗ୍ର ୫ ଲକ୍ଷ ୯୭ ହଜାର ୬୧୮ ଗ୍ରାମ ମଧ୍ୟରୁ ୪୩ ହଜାର ଗ୍ରାମରେ ମୋବାଇଲ ସେବା ପହଞ୍ଚିପାରିନଥିଲା । ସେଥିମଧ୍ୟରେ ମଧ୍ୟପ୍ରଦେଶ ଓ ଓଡ଼ିଶାରେ ସର୍ବାଧିକ ଗ୍ରାମ ମୋବାଇଲ ଟାୱାର ସ୍ଥାପନ କ୍ଷେତ୍ରରେ ପଛୁଆ ରହିଥିଲା ।


 

ଓଡ଼ିଶା ଅର୍ଥନୀତିକ ସର୍ବେକ୍ଷଣ ୨୦୧୮-୧୯ରେ ପ୍ରଦତ୍ତ ପରିସଂଖ୍ୟାନ ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ହିସାବ ମେଳ ଖାଏ ନାହିଁ । ଲୋକସଭାରେ ପ୍ରଦତ୍ତ ବିବରଣୀ ଅନୁଯାୟୀ ଓଡ଼ିଶାର ୪୭ ହଜାର ୬୭୭ ଗ୍ରାମ ମଧ୍ୟରୁ ୯ ହଜାର ୯୪୦ ଗ୍ରାମରେ ମୋବାଇଲ ସେବା ଉପଲବ୍ଧ ନଥିଲା । ଉତ୍ତରପ୍ରଦେଶରେ ସର୍ବାଧିକ ୯୭ ହଜାର ୮୧୩ ଗ୍ରାମ ରହିଥିବା ସ୍ଥଳେ ସେଠାରେ ମାତ୍ର ୨୯୮ ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ ହୋଇପାରି ନଥିବା ବିଷୟ ଟେଲିକମ୍ୟୁନିକେସନ ମନ୍ତ୍ରୀ ନିଜ ଉତ୍ତରରେ ଉଲ୍ଲେଖ କରିଥିଲେ । ମଧ୍ୟପ୍ରଦେଶ ଓ ଓଡ଼ିଶାରେ ମୋବାଇଲ ଟାୱାର ସ୍ଥାପନ କରାଯାଇ ପାରିନଥିବା ଗ୍ରାମଗୁଡ଼ିକପାର୍ବତ୍ୟାଞ୍ଚଳ ଓ ଅପହଞ୍ଚ ଇଲାକାରେ ଅବସ୍ଥିତଥିବା କୁହାଯାଇଥିଲା ।


 

ଅନ୍ୟ ଏକ ହିସାବ ଅନୁଯାୟୀ ୨୦୧୯ ଆରମ୍ଭ ସୁଦ୍ଧା ଓଡ଼ିଶାର ମୋଟ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷ । ଏମାନଙ୍କ ମଧ୍ୟରେ ସର୍ବାଧିକ ଏକ କୋଟି ୩୧ ଲକ୍ଷ ଏୟାରଟେଲର ଗ୍ରାହକ ଥିବା ସ୍ଥଳେ ରିଲାଏନ୍ସ ଜିଓ ଗ୍ରାହକ ସଂଖ୍ୟା ୮୮ ଲକ୍ଷ । ଅନ୍ୟ ଟେଲିଯୋଗାଯୋଗ ସେବାପ୍ରଦାନକାରୀ କମ୍ପାନୀଙ୍କ ମଧ୍ୟରେ ବିଏସଏନଏଲର ୫୯ ଲକ୍ଷ, ଭୋଡ଼ାଫୋନ-ଆଇଡ଼ିଆର ୫୪ ଲକ୍ଷ ୫୮ ହଜାର ଓ ଟାଟା-ଟେଲିସର୍ଭିସେସର ୪ ଲକ୍ଷ ୬୦ ହଜାର ଉପଭୋକ୍ତା ଅନ୍ତର୍ଭୁକ୍ତ ।


 

ବିଭିନ୍ନ ପରିସଂଖ୍ୟାନରେ ସାମାନ୍ୟ ତାରତମ୍ୟ ପରିଲକ୍ଷିତ ହେଉଥିଲେ ହେଁ ସର୍ବଭାରତୀୟସ୍ତରରେ ଓଡ଼ିଶା ଟେଲି-ସାନ୍ଧ୍ରତା କ୍ଷେତ୍ରରେ ପଛୁଆ ଥିବା ଏବଂ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଟେଲିଯୋଗାଯୋଗସୁବିଧାସୁଯୋଗରେ ପ୍ରଭେଦ ସୁସ୍ପଷ୍ଟ ।       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁଲାଇ ୨୦୧୯


ତଥ୍ୟ:



Pradhan, Hemanta. 11,000 villages still without mobile phone connectivity. The Times of India (Bhubaneswar Edition). June 29, 2019


 

43000 Villages without mobile connectivity. Tele Analysis. Jan 2, 2019



<www.teleanalysis.com/news/national/india-still-43000-villages-without-mobile-connectivity-29646>


 

Odisha mobile subscribers base grows in Feb. Odisha Sun Times. April 25, 2019. 



<www.odishasuntime.com/odisha-mobile-subscriber-base-grows-in-feb/>

ଆଭ୍ୟନ୍ତରୀଣ ଓଡ଼ିଶାରେ ଇଣ୍ଟରନେଟ

‘କୋଭିଡ଼-୧୯’ ମହାମାରୀକାଳରେ ଦୁରାବସ୍ଥାନ ନୀତି ପ୍ରଚଳନ ହେତୁ ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଶାସନଠାରୁ ଆରମ୍ଭକରି ମନୋରଞ୍ଜନ ଯାଏଁ ବିଭିନ୍ନ କ୍ଷେତ୍ରରେ ଇଣ୍ଟରନେଟଭିତ୍ତିକ କାର୍ଯ୍ୟଧାରା ଗୁରୁତ୍ୱବହନ କରିଥିଲା । ବିକଶିତ ରାଷ୍ଟ୍ରଗୁଡ଼ିକରେ ମହାମାରୀ-ପୂର୍ବାବସ୍ଥାରୁ ଇଣ୍ଟରନେଟ ପ୍ରସାର ଓ ବ୍ୟବହାର ପ୍ରାୟତଃ ପୂର୍ଣ୍ଣବିକଶିତ ହୋଇସାରିଥିବା କାରଣରୁ ସେଠାକାର ଜନଜୀବନ ଅପେକ୍ଷାକୃତଭାବେ ସୁରୁଖୁରରେ ଚାଲିଥିଲା । ତେବେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସଂକୁଚ଼ିତ ଇଣ୍ଟରନେଟ ସଂଯୁକ୍ତି ଏବଂ ବହୁ ସଂଖ୍ୟକ ନାଗରିକ ଇଣ୍ଟରନେଟ ବ୍ୟବହାରରେ ଅଭ୍ୟସ୍ତ ନଥିବା ହେତୁ ବିଭିନ୍ନ ସାମାଜିକ କ୍ଷେତ୍ରରେ ବିଘଟନ ସୂତ୍ରପାତ ହୋଇଥିଲା । ଆମ ଦେଶରେ ମାତ୍ର ୩୦ ପ୍ରତିଶତ ଜନସଂଖ୍ୟା ଇଣ୍ଟରନେଟ ଯୋଗେ ସଂଯୁକ୍ତ ହୋଇଥିବା ଫଳରେ ପରିବର୍ତ୍ତିତ ପରିବେଶରେ ନିଜକୁ ଖାପ ଖୁଆଇପାରି ନଥିଲେ ।


 

ଭାରତରେ ଇଣ୍ଟରନେଟ ବିକାଶକ୍ଷେତ୍ରରେ ଗ୍ରାମାଞ୍ଚଳରେ ହାଇସ୍ପିଡ଼ ଅପ୍ଟିକାଲ ଫାଇବର ଯୋଗେ ଇଣ୍ଟରନେଟ ସଂଯୁକ୍ତି ପ୍ରାଥମିକତା ଦାବୀ କରିଥାଏ । ଦେଶର ଅଢ଼େଇ ଲକ୍ଷ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ନିମନ୍ତେ ୨୦୧୧ରେ ‘ନ୍ୟାସନାଲ ଅପ୍ଟିକ ଫାଇବର ନେଟୱାର୍କ’ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିଲା । ତାହା ଦୀର୍ଘ ଦଶବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ପୂର୍ବ ନିର୍ଦ୍ଧାରିତ ପ୍ରକଳ୍ପ କାର୍ଯ୍ୟଶେଷ ସମୟସୀମା ଇତି ମଧ୍ୟରେ ୨୦୨୧ ମଧ୍ୟଭାଗ ସୁଦ୍ଧା ୯୨ ମାସ ବିଳମ୍ୱ ହୋଇଥିବା ହିସାବ କରାଯାଏ ।


 

ଆମଦେଶରେ ପାରମ୍ପରିକଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ପ୍ରକଳ୍ପଗୁଡ଼ିକ ବିଭିନ୍ନ କାରଣରୁ ଧାର୍ଯ୍ୟ ସମୟସୀମାରେ ରୂପାୟନ ସଂଭବ ହୋଇପାରି ନଥାଏ । ଏହି ବିଳମ୍ୱକୁ ସରକାର କିମ୍ୱା ଜନସାଧାରଣ କେହି ଗୁରୁତ୍ୱ ପ୍ରଦାନ କରିନଥାନ୍ତି । ତେବେ ମହାମାରୀକାଳରେ ବିସ୍ତୃତ ଅଞ୍ଚଳରେ ଇଣ୍ଟରନେଟ ସଂଯୁକ୍ତି ଅଭାବ ହେତୁ ଜନସାଧାରଣଙ୍କ ମୌଳିକ ଜୀବନଧାରା ପରିଚାଳନାରେ ସମସ୍ୟା ଉପୁଜିଥିଲା । କେନ୍ଦ୍ର ସରକାରଙ୍କପକ୍ଷରୁ ଏଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରସ୍ତୁତ ହେଉଥିବା ସୂଚନା ମିଳେ ।


 

‘ନ୍ୟାସନାଲ ଅପ୍ଟିକ ଫାଇବର ନେଟୱାର୍କ’ ଆଶାନୁରୂପ କାର୍ଯ୍ୟଦକ୍ଷତା ପ୍ରମାଣିତ ନକରିପାରିବା ଫଳରେ ଏହି ପ୍ରକଳ୍ପକୁ ‘ଭାରତନେଟ’ ନାମିତ କରାଯାଇ ନୂତନ କାର୍ଯ୍ୟଧାରା ପ୍ରଚଳନ କରାଯାଇଥିଲା । ‘ଭାରତ ନେଟ’ର ପ୍ରଥମ ପର୍ଯ୍ୟାୟରେ ୨୦୧୯ ସୁଦ୍ଧା ଏକ ଲକ୍ଷ ଗ୍ରାମପଞ୍ଚାୟତ ଓ ମାର୍ଚ୍ଚ ୨୦୨୦ ସୁଦ୍ଧା ଦେଢ଼ ଲକ୍ଷ ଗ୍ରାମପଞ୍ଚାୟତକୁ ହାଇସ୍ପିଡ଼ ଅପ୍ଟିକ ଫାଇବର ଯୋଗେ ଇଣ୍ଟରନେଟ ସଂଯୁକ୍ତି ପାଇଁ କାର୍ଯ୍ୟକ୍ରମ ପ୍ରଣୟନ କରାଗଲେ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚିବା ସଂଭବ ହୋଇପାରି ନଥିଲା । ମାର୍ଚ୍ଚ ୨୦୨୦ରେ ପ୍ରକଳ୍ପ ଶେଷ ସମୟ ସୀମାକୁ ଅଧିକା ୧୭ ମାସ, ଅଗଷ୍ଟ ୨୦୨୧ ଯାଏଁ ବଢ଼ାଇ ଦିଆଗଲା । ତେବେ ଏଥିରେ ମଧ୍ୟ ପୁନର୍ବାର ବିଫଳତା ସାମନା କରିବାକୁ ପଡ଼ିଲା ।


 

‘ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ଏକ ସମ୍ୱାଦ ଅନୁଯାୟୀ ୨୫ ଜୁନ ୨୦୨୧ ସୁଦ୍ଧା ଦେଶର ଦୁଇ ଲକ୍ଷ ପଚାଶ ହଜାର ଗ୍ରାମପଞ୍ଚାୟତ ମଧ୍ୟରୁ ମାତ୍ର ଏକ ଲକ୍ଷ ପଚାଶ ହଜାର ଗ୍ରାମପଞ୍ଚାୟତରେ ଇଣ୍ଟରନେଟ ସଂଯୁକ୍ତି ସଂଭବ ହୋଇଥିଲା । ଏତଦ୍ ବ୍ୟତୀତ ଅଧିକା ୨୫ ହଜାର ଗ୍ରାମପଞ୍ଚାୟତରେ କେବୁଲ ବିଛାଇବା କାର୍ଯ୍ୟ ସରିଥିବା ସ୍ଥଳେ ବଳକା ୭୫ ହଜାର ଗ୍ରାମପଞ୍ଚାୟତରେ କେବୁଲ ବିଛାଇବା ସହ ଲକ୍ଷେ ଗ୍ରାମପଞ୍ଚାୟତ ପୂର୍ଣ୍ଣ-ଇଣ୍ଟରନେଟ ସଂଯୁକ୍ତି ଅପେକ୍ଷାରେ ରହିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପରେ ଏହି କାର୍ଯ୍ୟ ଘରୋଇ ଠିକାଦାର ସହଯୋଗରେ ପବ୍ଳିକ-ପ୍ରାଇଭେଟ-ପାର୍ଟନର ‘ପିପିପି’ ମୋଡ଼ରେ ସାରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକରେ ୩୦ ଜୁନ ୨୦୨୧ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଥିଲା ।


 

ପ୍ରକାଶିତ ସମ୍ୱାଦରେ ଆହୁରି ଦର୍ଶାଯାଇଥିଲା ଯେ ‘ଭାରତନେଟ’ର ସମସ୍ତ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ସଂଯୁକ୍ତି ଲକ୍ଷ୍ୟରେ ବଳକା କାର୍ଯ୍ୟ ସାରିବା ନିମନ୍ତେ ପ୍ରାୟ ତିରିଶି ହଜାର କୋଟି ଟଙ୍କା ବ୍ୟୟ ହେବ । ଏହି କାର୍ଯ୍ୟଭାର ପ୍ରଦାନ ନିମନ୍ତେ ଆନ୍ତର୍ଜାତିକ ଟେଣ୍ଡର ପ୍ରକ୍ରିୟାର ଆଶ୍ରୟ ନିଆଯିବ । ଭାରତ ସରକାର ଡିଜିଟାଲ କାରିଗରୀ କୌଶଳ ବିକାଶକୁ ଅଗ୍ରାଧିକାର ଦେଉଥିବା ସ୍ଥଳେ ଦେଶର ଅଭ୍ୟନ୍ତରୀଣ ଅଞ୍ଚଳରେ ଇଣ୍ଟରନେଟ ସଂଯୁକ୍ତି ଅଭାବ ତଥା ସେଦିଗରେ ଉଦ୍ୟମର ବିଫଳତା ଉଦବେଗ ସୃଷ୍ଟି କରିବା ସ୍ୱାଭାବିକ । ଅପରପକ୍ଷେ ମହାମାରୀଜନିତ ପରିସ୍ଥିତିରେ ଇଣ୍ଟରନେଟ ସଂଯୁକ୍ତିର ସର୍ବାଧିକ ଗୁରୁତ୍ୱ ଅନୁଭୂତ ହେଉଥିଲେହେଁ ଏଦିଗରେ ସୁବିଧା ସୁଯୋଗର ଅଭାବ ଅସହାୟତା ପ୍ରମାଣିତ କରିଥାଏ । ପରିସ୍ଥିତି ସୁଧାରିବା ଉଦ୍ୟମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରୋଇକରଣ ନୀତି ପ୍ରଣୟନ କରିଥିବା ବିଚାର କରାଯାଏ ।


 

‘ଭାରତନେଟ’ର ପିପିପି ସୂତ୍ରରେ ହାଇସ୍ପିଡ଼ ଅପଟିକ ଫାଇବର ଯୋଗେ ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ୧୬ ଗୋଟି ରାଜ୍ୟରେ ଅବଶିଷ୍ଟ କାର୍ଯ୍ୟ ଆରମ୍ଭ କରାଯିବା ଅବସରରେ ଓଡ଼ିଶା ସେଥିରେ ସାମିଲ ହୋଇଥିଲା । ଇଣ୍ଟରନେଟ ସଂଯୋଗ କ୍ଷେତ୍ରରେ ଓଡ଼ିଶା ପଛୁଆ ରହିଆସିଛି । ଜାନୁୟାରୀ ୨୦୨୧ ଦ୍ୱିତୀୟ ସପ୍ତାହରେ ‘ଭାରତନେଟ’ର ରାଜ୍ୟସ୍ତରୀୟ ବୈଠକରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୭୫ ବ୍ଳକ ଓ ୩୭୭୦ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ପହଞ୍ଚିସାରିଥିବା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୩୩ ବ୍ଳକ ଓ ୨୯୫୪ ଗ୍ରାମପଞ୍ଚାୟତାକୁ ଇଣ୍ଟରନେଟ ସଂଯୋଗ କାମ ହାତକୁ ନିଆଯାଇଥିବା ତଥ୍ୟ ଉପସ୍ଥାପିତ କରାଯାଇଥିଲା ।


 

ଓଡ଼ିଶାରେ ଇଣ୍ଟରନେଟ ସଂଯୋଗ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ଆଗୁଆ ରହିଥିଲା । ତା’ପରକୁ ଭଦ୍ରକ, ଜଗତସିଂହପରୁ, ଯାଜପୁର, କେନ୍ଦ୍ରପଡ଼ା, ପୁରୀ, ଖୋର୍ଦ୍ଦା ଓ କଟକ ଜିଲ୍ଲାର ସ୍ଥାନ । ଅପରପକ୍ଷେ କନ୍ଧମାଳ ଜିଲ୍ଲା ସର୍ବାପେକ୍ଷା ପଛୁଆଥିବା ସ୍ଥଳେ କ୍ରମାନ୍ୱୟରେ ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ୧୬୪୨, ୧୪୯୮ ଓ ୧୦୨୦ ଗ୍ରାମରେ ଇଣ୍ଟରନେଟ ବ୍ୟବସ୍ଥା ନଥିବା ଜଣାଯାଏ । ମହାମାରୀ ପୂର୍ବରୁ ୨୦୧୯ ଜୁଲାଇ ୨୪ ତାରିଖରେ ଲୋକସଭାରେ ପ୍ରଦତ୍ତ ସରକାରୀ ତଥ୍ୟ ଅନୁଯାୟୀ ଓଡ଼ିଶାର ୪୭,୬୭୭ ରାଜସ୍ୱ ଗ୍ରାମ ମଧ୍ୟରୁ ୯,୯୪୦ରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ନଥିଲା । ପରିବେଶ ପତ୍ରିକା ‘ଡ଼ାଉନ-ଟୁ-ଆର୍ଥ’ରେ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ରାଜ୍ୟର ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ସହରାଞ୍ଚଳରେ ୮୩ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୨୮ ପ୍ରତିଶତ ଅନ୍ତର୍ଭୁକ୍ତ । ଏପ୍ରିଲ ୨୦୨୧ ସୁଦ୍ଧା ଜାତୀୟସ୍ତରରେ ଟେଲି-ସାନ୍ଦ୍ରତା ୮୮.୭୭ ପ୍ରତିଶତ ଥିବା ସ୍ଥଳେ ଓଡ଼ିଶାରେ ଦଶ ପ୍ରତିଶତ କମ, ୭୮.୭୯ ପ୍ରତିଶତ ରହିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ ରିପୋର୍ଟରୁ ଜଣାଯାଏ ।


 

ବିଳମ୍ୱିତ ହେଲେ ସୁଦ୍ଧା ଦେଶ ତଥା ରାଜ୍ୟର ଅଭ୍ୟନ୍ତରୀଣ ଅଞ୍ଚଳରେ ହାଇସ୍ପିଡ଼ ଅପଟିକ ଫାଇବର ଯୋଗେ ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମକୁ ଇଣ୍ଟରନେଟ ସଂଯୁକ୍ତି ଗୁରୁତ୍ୱ ବହନ କରିଥାଏ । ମହାମାରୀ-ପର ପରିବର୍ତ୍ତିତ ପରିବେଶରେ ବାଣିଜ୍ୟ-ବ୍ୟବସାୟ ସାଙ୍ଗକୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରଶାସନରେ ଅନଲାଇନ ଉପସ୍ଥିତି ସାଧାରଣ ନାଗରିକଙ୍କ ପାଇଁ ଏକ ମୌଳିକ ଆବଶ୍ୟକତାରେ ପରିଣତ ହେବା ସୁସ୍ପଷ୍ଟ । ଘରୋଇ ଉଦ୍ୟୋଗରେ ଇଣ୍ଟରନେଟ ବ୍ୟବହାର ନିମନ୍ତେ ଡ଼ାଟା ଦର ଆଶାତୀତ ହ୍ରାସ ଦେଶରେ ଦେଖାଯାଇଥିବା ଇଣ୍ଟରନେଟ ବ୍ୟବହାର ବୃଦ୍ଧି ଏବଂ ୨୦୨୧ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ସୁଲଭ ଦରରେ ସ୍ମାର୍ଟଫୋନ ଯୋଗାଣଭଳି ଆକର୍ଷଣୀୟ ସୁଯୋଗ ଉପଭୋକ୍ତାଙ୍କ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନର ସଙ୍କେତ ଦିଏ । ସର୍ବୋପରି ୫ଜି ଟେଲିଯୋଗାଯୋଗ ବୈଷୟିକ କୌଶଳ ଇଣ୍ଟରନେଟ ଉପଯୋଗରେ ଅଭୂତପୂର୍ବ ପରିବର୍ତ୍ତନର ସୂତ୍ରଧର ସାଜିବା ନିଶ୍ଚିତ । ଏହି ପରିପ୍ରେକ୍ଷୀରେ ‘ଭାରତନେଟ’ର ପଦକ୍ଷେପ ସମୟଉପଯୋଗୀ ବିଚାର କରାଯାଏ ।        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୬ ଜୁଲାଇ ୨୦୨୧


ତଥ୍ୟ:



Aryan, Aashish. Bharat Net fails to enter fast lane : Both phases staring at delays amid Covid. The Indian Express. July 5, 2021


 

https://indinexpress.com/article/business/bharatnet-fails-to-enter-fast-lane-both-phases-staring-at-delays-amid-covid-73890751


 

ମେ’ ସୁଦ୍ଧା ସବୁ ବ୍ଳକ, ପଞ୍ଚାୟତକୁ ଇଣ୍ଟରନେଟ । ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) । ଜାନୁୟାରୀ ୧୪, ୨୦୨୧


 

ଡ଼ିଜିଟାଲ ଭାରତକୁ ଧକ୍କା ;  ରାଜ୍ୟର ୯୯୪୦ ଗାଁରେ ନାହିଁ ଇଣ୍ଟରନେଟ ସେବା । ସମାଜ (ବ୍ରହ୍ମପୁର ସଂସ୍କରଣ) ଜାନୁୟାରୀ ୧୮, ୨୦୨୧


 

ଏପ୍ରିଲରେ ଓଡ଼ିଶା ଯୋଡ଼ିଛି ଦେଢ଼ ଲକ୍ଷ ମୋବାଇଲ ଉପଭୋକ୍ତା । ପ୍ରମେୟ (ବ୍ରହ୍ମପୁର ସଂସ୍କରଣ) । ଜୁଲାଇ ୧୩, ୨୦୨୧

ଦଶନ୍ଧିର ମୋଡ଼ରେ ଟେଲିଯୋଗାଯୋଗ

ଭାରତରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ସାମାଜିକ ଜନଜୀବନକୁ ଗଭୀରଭାବେ ପ୍ରଭାବିତ କରିଥିବା ବିଷୟବର୍ଗରେ ଟେଲିଯୋଗାଯୋଗକୁ ସମୀକ୍ଷକମାନେ ପ୍ରାଥମିକତା ଦେଇଥାନ୍ତି । ଦେଶରେ ଟେଲିଫୋନ ଉପଭୋକ୍ତା ସଂଖ୍ୟା ୨୦୧୯ ଡ଼ିସେମ୍ୱର ସୁଦ୍ଧା ୧୧୦ କୋଟିରେ ପହଞ୍ଚିଥିବା ଏବଂ ୫୨ କୋଟି ସ୍ମାର୍ଟଫୋନ ବ୍ୟବହୃତ ହେଉଥିବା ପରିସଂଖ୍ୟାନ ଯୋଗାଯୋଗ ସାଙ୍ଗକୁ ଗଣମାଧ୍ୟମ, ଅର୍ଥନୀତି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନର ସାଧନ ସାଜିଛି । ଆନ୍ତର୍ଜାତିକସ୍ତରରେ ବିଭିନ୍ନ ମାନାଙ୍କକୁ ବିଚାରକୁ ନେଲେ ଟେଲିଯୋଗାଯୋଗ ପ୍ରଗତିରେ ତୁଳନାତ୍ମକଭାବେ ଭାରତ ପଛୁଆ ରହିଥିଲେ ହେଁ ବୈଷୟିକ କାରିଗରୀ କୌଶଳର ଗଭୀର ସାମାଜିକ ସଂପୃକ୍ତି ସ୍ଥାନୀୟ ପରିବେଶରେ ବିଘଟନ ସୂତ୍ରପାତ କରିଛି ।


 

ଆମ ଦେଶରେ ୨୦୦୮ ଅଗଷ୍ଟ ମାସରେ ‘ଏପଲ’ର ଆଇ-ଫୋନ ଏବଂ ତା’ପରେ ପରେ ଏଣ୍ଡ୍ରୋଡ଼ ସ୍ମାର୍ଟଫୋନ ବଜାରକୁ ଆସିଥିଲା । ପ୍ରାଥମିକ ଅବସ୍ଥାରେ ମୋବାଇଲ ଫୋନ ଯୋଗେ ଭଏସକଲ ଏବଂ ଟେକ୍ସଟ ମେସେଜିଂ ଅଭିଜ୍ଞତା ସ୍ମାର୍ଟଫୋନର ପ୍ରବେଶପରେ ୩ଜି କାରିଗରୀ କୌଶଳ ଉପଯୋଗରେ ଇଣ୍ଟରନେଟ ସଂଯୁକ୍ତି ନୂତନ ଅଭିଜ୍ଞତା ଆଣିଥିଲା । ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ ଅପ୍ଲିକେସନ ସ୍ମାର୍ଟଫୋନ ବ୍ୟବହାରକୁ ବ୍ୟାପକ କରିଥିଲା ।


 

ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଆନ୍ତର୍ଜାତିକସ୍ତରରେ ଟେଲିଯୋଗାଯୋଗ କ୍ଷେତ୍ରରେ ୧ଜି ଯୋଗେ ୧୯୬୧ରେ ଭଏସକଲ ଓ ୨ଜି ଯୋଗେ ୧୯୯୧ରେ ଟେକ୍ସଟ ମେସେଜିଂ ପ୍ରଚଳିତ ହୋଇଥିଲେ ହେଁ ସେଗୁଡ଼ିକର ବ୍ୟବହାରଲାଗି ଶତାଦ୍ଦୀର ଶେଷଯାଏଁ ଭାରତକୁ ଅପେକ୍ଷା କରିବାକୁ ପଡ଼ିଥିଲା । ୩ଜି ଯୋଗେ ୧୯୯୮ରେ ଇଣ୍ଟରନେଟ ସଂଯୁକ୍ତି ପାଇଁ ଦଶ ବର୍ଷ ଏବଂ ୪ଜି ଯୋଗେ ୨୦୦୮ରେ ଭିଡ଼ିଓ ପ୍ରସାରଣ ବ୍ୟବହାର ଲାଗି ପାଞ୍ଚ ବର୍ଷକୁ ଅପେକ୍ଷାର ସମୟସୀମା ଖସି ଆସିଥିଲା । ୫ଜି ଯୋଗେ ୨୦୧୯ରେ ଦକ୍ଷିଣ କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଅତ୍ୟାଧୁନିକ ଟେଲିଯୋଗାଯୋଗ ଉନ୍ମୋଚ଼ିତ ହୋଇଥିବା ସ୍ଥଳେ ୨୦୨୦ ମଧ୍ୟଭାଗ ସୁଦ୍ଧା ଆମଦେଶରେ ପରୀକ୍ଷାମୂଳକ ବ୍ୟବହାର ଆଶା କରାଯାଉଛି ।


 

 

ଟେଲିଯୋଗାଯୋଗ କ୍ଷେତ୍ରରେ ଭାରତ ବୃହତ୍ତର ଓ କ୍ଷୀପ୍ରତର ବଜାର ରୂପେ ପରିଗଣିତ ହୋଇଥାଏ । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ସମୟସୀମାରେ ମୋବାଇଲ ଟେଲିଫୋନ ଉପଭୋକ୍ତାଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ତେବେ ଟେଲିଯୋଗାଯୋଗ ବ୍ୟବସାୟରେ ପ୍ରତିଯୋଗିତା କାରଣରୁ ସେବା ପ୍ରଦାନକାରୀଙ୍କ ସଂଖ୍ୟା ୧୫ରୁ ୪କୁ ସଂକୁଚିତ ହୋଇଥିବା ଦେଖିବାକୁ ମିଳେ । ୨୦୧୦ରେ ପାଞ୍ଚଗୋଟି ବୈଦେଶିକ ପ୍ରତିଷ୍ଠାନ ଟେଲିଯୋଗାଯୋଗ ବ୍ୟବସାୟରେ ଅବତୀର୍ଣ୍ଣ ହୋଇଥିଲେ । କିନ୍ତୁ ଭୋଡ଼ାଫୋନ, ଟେଲେନର, ମାକ୍ସିସ, ସିଷ୍ଟେମା ଓ ଇଟସଲାଟ ପ୍ରତିଯୋଗିତାତ୍ମକ ପରିବେଶରେ ପ୍ରଭୂତ କ୍ଷତି ସହିଥିଲେ ।


 

ରିଲାଏନ୍ସ ଜିଓର ୪ଜି ସେବା ୨୦୧୬ରେ ପ୍ରଚଳନ ହୋଇଥିଲା । ଏହି ଅବସରରେ ଭଏସକଲ ମାଗଣା ଏବଂ ଡ଼ାଟା ଦର ୯୫ ପ୍ରତିଶତ ଯାଏଁ କମିଯିବା ଫଳରେ ଜିଓ ହିଁ ଦେଶରେ ଟେଲିଯୋଗାଯୋଗ କ୍ଷେତ୍ରରେ ନେତୃତ୍ୱ ନେଲା ଏବଂ ଅନ୍ୟମାନେ କ୍ଷତିରେ ସମ୍ମୁଖୀନ ହେଲେ । ଭାରତୀୟ ଟେଲିଯୋଗାଯୋଗ କ୍ଷେତ୍ରରେ ଗ୍ରାହକ ଦେୟ ହ୍ରାସରେ ଅବିଶ୍ଵାସନୀୟ ପରିସ୍ଥିତି ଆନ୍ତର୍ଜାତିକସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଲା । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଆରମ୍ଭରେ ମିନଟ ପିଛା ଭଏସକଲ ୫୦ ପଇସା ଏବଂ ହାରାହାରି ମାସିକ ଗ୍ରାହକ ଦେୟ ୧୪୦ ଟଙ୍କା ଥିବା ସ୍ଥଳେ ୨୦୧୯ରେ ଅଧିକାଂଶ ଉପଭୋକ୍ତାଙ୍କ ପାଇଁ ଭଏସକଲ ପ୍ରାୟତଃ ମାଗଣା ଏବଂ ହାରାହାରି ମାସିକ ଗ୍ରାହକ ଦେୟ ୧୧୩ ଟଙ୍କାରେ ପହଞ୍ଚିଥିଲା ।


 

ଭାରତୀୟମାନେ ଦ୍ୱିତୀୟ ଦଶକର ଦ୍ୱିତୀୟାର୍ଦ୍ଧରେ ମୋବାଇଲ ଫୋନ ଯୋଗେ ସିନେମା, ଟେଲିଭିଜନ ଚ୍ୟାନେଲ ଓ କ୍ରିକେଟ ସାଙ୍ଗକୁ ବିଭିନ୍ନ ‘ଓଭର-ଦି-ଟପ’ ପ୍ରସାରଣ ମଞ୍ଚରେ ଭିଡ଼ିଓ ଦେଖିବା ଆରମ୍ଭ କରିଥିଲେ । ଫଳରେ ବ୍ୟକ୍ତିପିଚ୍ଛା ଡ଼ାଟା ବ୍ୟବହାର ବଢ଼ିବାରେ ଲାଗିଲା । ୨୦୧୯ ସୁଦ୍ଧା ଭାରତରେ ବ୍ୟକ୍ତିପିଛା ହାରାହାରି ମାସିକ ୯.୮ ଗିଗାବାଇଟ ଡ଼ାଟା ବ୍ୟବହାର ସମଗ୍ର ବିଶ୍ୱରେ ପ୍ରଥମ ସ୍ଥାନ ଦାବୀ କରିଥାଏ । ଡ଼ାଟା ଦର ଗିଗାବାଇଟ ପିଛା ବ୍ରିଟେନରେ ୪୭୦ ଟଙ୍କା, ଯୁକ୍ତରାଷ୍ଟ୍ର ଆମେରିକାରେ ୧୭୦ ଟଙ୍କା ଥିବା ସ୍ଥଳେ ଭାରତରେ ମାତ୍ର ୨୦ ଟଙ୍କାରେ ସୀମିତ ।


 

ପରିବର୍ତ୍ତିତ ପରିବେଶରେ ଭାରତୀୟମାନଙ୍କ ନିମନ୍ତେ ମୋବାଇଲ ଫୋନ ସଂବାଦପତ୍ର, ଟେଲିଭିଜନ ଓ ଚଳଚ଼ିତ୍ର ଆହରଣର ଏକ ବିକଳ୍ପ ମଞ୍ଚ ସୃଷ୍ଟି କରିଛି । ଅର୍ଥନୀତି, ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ଏହାର ସୀମିତ ବ୍ୟବହାର କ୍ରମଶଃ ତୃତୀୟ ଦଶକ ମଧ୍ୟଭାଗ ସୁଦ୍ଧା ବିସ୍ତୃତି ଲାଭ କରିବା ଆକଳନ କରାଯାଏ । ୨୦୨୦ରେ ୫ଜି କାରିଗରୀ କୌଶଳ ପରୀକ୍ଷାନିରୀକ୍ଷା ସଫଳ ହେଲେ ୨୦୨୫ ସୁଦ୍ଧା ଦେଶବ୍ୟାପୀ ସାଧାରଣ କ୍ଷେତ୍ରରେ ଉପଯୋଗ ହେବା ସଂଭବପର । ୫ଜି ଇଣ୍ଟରନେଟର ବେଗ ୪ଜି ତୁଳନାରେ ଦଶଗୁଣ ଥିବା ସ୍ଥଳେ ଇଣ୍ଟରନେଟ ସଂଯୁକ୍ତ ବିଭିନ୍ନ ସେବା ‘ଇଣ୍ଟରନେଟ-ଅଫ-ଥିଙ୍ଗସ’ ସୁଚାରୁରୂପେ ଚଳାଇବା ସାମାଜିକସ୍ତରରେ ବ୍ୟାପକ ପରିବର୍ତ୍ତନ ସୂତ୍ରପାତ କରିବ ।


 

ଟେଲିଯୋଗାଯୋଗ କ୍ଷେତ୍ରରେ ବିପ୍ଳବ ସ୍ମାର୍ଟଫୋନକୁ ଏକ ପକ୍ଷରେ ବହୁ କାର୍ଯ୍ୟର ଏକକ ସାଧନଭାବେ ଗଢ଼ିଉଠିଥିବା ସ୍ଥଳେ ଅପରପକ୍ଷେ ବହୁ ଶ୍ରମିକଙ୍କ କର୍ମ ସଂସ୍ଥାନ ଲୋପର କାରଣ ପାଲଟୁଛି । ଉଦାହରଣରେ ଚ଼ିତ୍ର ଉତ୍ତୋଳନ ଯନ୍ତ୍ରପାତିର ସର୍ବପୁରାତନ ନିର୍ମାତା ‘କୋଡ଼ାକ’ ସ୍ମାର୍ଟଫୋନର ଆବିର୍ଭାବ ପରେ ୨୦୧୨ରେ ବନ୍ଦ ହୋଇଗଲା । ‘କୋଡ଼ାକ’ ଏକ ସମୟରେ ଏକ ଲକ୍ଷ ଚାଳିଶି ହଜାର ଶ୍ରମିକଙ୍କୁ ନିଯୁକ୍ତି ଦେଇଥିଲା । ତେବେ ଏହାର ପ୍ରତିଦ୍ୱନ୍ଦୀ ଡ଼ିଜିଟାଲ ‘ଇନଷ୍ଟ୍ରାଗ୍ରାମ’କୁ ସତୁରି ହଜାର କୋଟି ଟଙ୍କା ବିନିମୟରେ ‘ଫେସବୁକ’ ଅଧିଗ୍ରହଣ କଲାବେଳେ ସେଥିରେ ମାତ୍ର ତେରଜଣ ଶ୍ରମିକ ନିଯୁକ୍ତଥିଲେ । ସେହିପରି ଫେସବୁକ, ୟୁଟ୍ୟୁବ, ଟୁଇଟର, ଟିକଟକ ଭଳି ସୋସିଆଲ ମିଡ଼ିଆର ପ୍ରଭାବ ୨୦୨୦ ଆରମ୍ଭ ସୁଦ୍ଧା ଓଡ଼ିଶାର ଗାଁଗହଳ ଯାଏଁ ଅନୁଭୂତ ହେଉଥିବା ସ୍ଥଳେ ଏହି ମଞ୍ଚଗୁଡ଼ିକରେ ରାଜ୍ୟରେ ହାତଗଣତି ବ୍ୟକ୍ତି ବୃତ୍ତିଗତସ୍ତରରେ ସାମୟିକଭାବେ ଲିପ୍ତ ଏବଂ ସେଥିରୁ ସେମାନଙ୍କ ଆୟ ନଗଣ୍ୟ । ଦ୍ୱିତୀୟ ଦଶକରେ ଟେଲିଯୋଗାଯୋଗର ଏହି ପ୍ରଭାବ ତୃତୀୟ ଦଶକରେ ପ୍ରତିବିମ୍ୱିତ ହେବା ସନ୍ଦେହ ଅମୂଳକ ନୁହେଁ ।


 

ପରସନାଲ କମ୍ପ୍ୟୁଟର, ୱେବ ଓ ମୋବାଇଲ ପରେ ଏକବିଂଶ ଶତାଦ୍ଦୀରେ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ର ବ୍ୟାପ୍ତି ଟେଲିଯୋଗାଯୋଗ ଲାଗି ଗୁରୁତ୍ୱ ବହନ କରିବ । ଗଣମାଧ୍ୟମ, ଇ-ବାଣିଜ୍ୟ ଓ ସ୍ୱାସ୍ଥ୍ୟରକ୍ଷା  କ୍ଷେତ୍ରରେ ଉପଭୋକ୍ତାଙ୍କ ବ୍ୟକ୍ତିଗତ ରୁଚି ଓ ଆବଶ୍ୟକତାକୁ ଭିତ୍ତିକରି ଅସଂଖ୍ୟ ଏକକ ସେବା ମଡ଼େଲମାନ ସୃଷ୍ଟି କରିବାରେ ସମର୍ଥ ହୋଇପାରିବ । ଫଳରେ ପାରମ୍ପରିକ ସାମୂହିକ ମଡ଼େଲକୁ କେନ୍ଦ୍ରକରି ଗଢ଼ି ଉଠିଥିବା ବ୍ୟବସାୟ ବିଲୁପ୍ତି ଆଶଙ୍କା କରାଯାଇପାରେ । ତୃତୀୟ ଦଶକରେ ଇଣ୍ଟରନେଟ ବ୍ୟବହାରରେ ଉପଭୋକ୍ତାମାନେ ଲେଖିବା ବଦଳରେ କହିବାକୁ ପସନ୍ଦ କରିବେ । ଗୁଗୁଲ ଭଳି ମଞ୍ଚ ଭାରତରେ ୧୧ ଗୋଟି ଭାରତୀୟଭାଷାରେ ଏହି ସୁବିଧା ପହୁଞ୍ଚାଇ ଦେଇସାରିଲାଣି । ଏଥିରେ କ୍ରମଶଃ ଓଡ଼ିଆ ଭଳି କମ ଭାଷାଭାଷୀଙ୍କ ଭାଷା ଯୋଡ଼ିବ ।


 

ଟେଲିଯୋଗାଯୋଗ ବିକାଶଜନିତ ଅନ୍ୟାନ୍ୟ ଗୂରୁତ୍ୱପୂର୍ଣ୍ଣ ପ୍ରଭାବ ମଧ୍ୟରେ ନାଗରିକଙ୍କୁ ନିଜ ଅଧିକାର ସାବ୍ୟସ୍ତ ତଥା ପ୍ରତିବାଦର ସ୍ୱର ଉତ୍ତୋଳନ ଅନ୍ୟତମ । ଦେଶରେ ବିଭିନ୍ନ ପ୍ରାନ୍ତରେ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ନାଗରିକ ସମାଜଗୁଡ଼ିକ ଦ୍ୱାରା ପ୍ରତିବାଦର ଡ଼ାକରା ସମଚ଼ିନ୍ତାଧାରାସମ୍ପନ୍ନ ଗୋଷ୍ଠୀଙ୍କୁ ଖୁବ କମ ସମୟ ମଧ୍ୟରେ ଏକତ୍ରୀତ କରିପାରୁଛି । ଏହି କାରଣରୁ ଆନ୍ଦୋଳନର ଡ଼ାକରାରେ ଇଣ୍ଟରନେଟ ସେବା ବାରଣ ପ୍ରଶାସନପକ୍ଷରୁ ବହୁଳ ବ୍ୟବହାର ପରିଲକ୍ଷିତ ହେବାରେ ଲାଗିଛି ।


 

ଭାରତର ଗ୍ରାମାଞ୍ଚଳରେ ଫାଇବର ଅପ୍ଟିକ ତାର ଯୋଗେ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଇଦେବା ନିମନ୍ତେ ସରକାରୀସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି । ଦେଶର ଆୟତନ ଓ ଭୌଗଳିକ ବିବିଧତା କାରଣରୁ ଟେଲିଯୋଗାଯୋଗର ଅତ୍ୟାଧୁନିକ ସେବା ସହଜରେ ଗ୍ରାମାଞ୍ଚଳରେ ଉପଲବ୍ଧ ହୋଇପାରୁ ନାହିଁ । ଦେଶର ସମଗ୍ର ଅଢ଼େଇ ଲକ୍ଷ ଗ୍ରାମପଞ୍ଚାୟତ ମଧ୍ୟରୁ ୨୦୧୯ ଶେଷ ସୁଦ୍ଧା ମାତ୍ର ଏକ ଲକ୍ଷ ତିରିଶି ହଜାର ଗ୍ରାମପଞ୍ଚାୟତରେ ‘ଭାରତନେଟ’ କାର୍ଯ୍ୟକ୍ରମରେ କେବୁଲ ବିଛା କାମ ସରିଛି । ୨୦୨୦ ଫେବୃୟାରୀରେ ଉପସ୍ଥାପିତ କେନ୍ଦ୍ରୀୟ ବଜେଟ ଅନୁଯାୟୀ ବର୍ଷକ ମଧ୍ୟରେ ଅଧିକା ଏକ ଲକ୍ଷ ଗ୍ରାମପଞ୍ଚାୟତକୁ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଓଡ଼ିଶାରେ ମାତ୍ର ୩୬୯୭ ଗ୍ରାମପଞ୍ଚାୟତରେ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଣ ସଂଭବପର ହୋଇପାରିଥିବା ସ୍ଥଳେ ୩୦୭୮ ଗ୍ରାମପଞ୍ଚାୟତରେ ଅପହଞ୍ଚ ।


 

ଭାରତରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଟେଲିଯୋଗାଯୋଗର ପ୍ରଗତି ଅସମତୁଲ ରହିଆସିଥିଲେହେଁ ଏକବିଂଶ ଶତାଦ୍ଦୀର ତୃତୀୟ ଦଶକରେ ପରିସ୍ଥିତିରେ ସୁଧାର ଆସିବା ଆଶା କରାଯାଏ । ଏହା ସତ୍ତ୍ଵେ ଦେଶର ୫୨ କୋଟି ସ୍ମାର୍ଟଫୋନ ଉପଭୋକ୍ତା ବିଶ୍ୱର ସର୍ବାଧିକ ଡ଼ାଟା ବ୍ୟବହାର କରୁଥିବା ଏବଂ ପ୍ରତ୍ୟେକ ହାରାହାରି ବାର୍ଷିକ ପ୍ରାୟ ୭୫ ଦିନ ମୋବାଇଲ ଫୋନ ପରଦାରେ ସମୟ କଟୁଥିବା ହିସାବ କରାଯାଏ । ଏକ ସର୍ବେକ୍ଷଣରେ ୭୮ ପ୍ରତିଶତ ସ୍ମାର୍ଟଫୋନ ଉପଭୋକ୍ତା କହିଛନ୍ତି ଯେ ସେମାନେ ରାତିରେ ଶୋଇବା ପୂର୍ବରୁ ଏବଂ ସକାଳ ଉଠିବାପରେ ମୋବାଇଲ ଫୋନ ଦେଖିବା ଅଭ୍ୟାସରେ ପରିଣତ ହୋଇସାରିଛି । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶନ୍ଧିର ମୋଡ଼ରେ ଲକ୍ଷ୍ୟ କରାଯାଉଥିବା ସ୍ଥିତାବସ୍ଥା ତୃତୀୟ ଦଶକରେ ଶାଣିତ ହେବା ନିଶ୍ଚିତ ।         


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଫେବୃୟାରୀ ୨୦୨


ତଥ୍ୟ:



Gopalkrishnan, Amulya. 2020-19 The smart decade shaped our lives, for better or worse. The Sunday Times of India. (Bhubaneswar Edition). December 29, 2019


 

Das Gupta, Surjeet. Best of times for customers, worst for telcos. Business Standard. (Bhubaneswar Edition). December 30, 2019


 

Marwah, Avneet Singh. A role reversal on the cards ? Business Standard. (Bhubaneswar Edition). January 02, 2020


 

Telcom faces life-threatening crisis. The Times of India. (Bhubaneswar Edition). December 26, 2019


 

India poised for 5G leap in 2020. The Times of India. (Bhubaneswar Edition). December 25, 2019


 

Bhargava, Yuthika. Centre promises free Wi-Fi to 48,000 villages till March 2020. The Hindu.  (Cuttack Edition). December 26, 2019

ଜିଓ ଫାଇବର ଉନ୍ମୋଚନ

ଇଣ୍ଟରନେଟ ସଂଯୁକ୍ତି ମୁଖ୍ୟତଃ ଦୁଇଟି ବର୍ଗ, ତାରବାହୀ ‘ୱାଏରଡ଼ ବ୍ରଡ଼ବ୍ୟାଣ୍ଡ’ ଓ ବେତାର ‘ୱାଏରଲେସ ବ୍ରଡ଼ବ୍ୟାଣ୍ଡ’ ମାଧ୍ୟମରେ ସଂପ୍ରସାରିତ । ମୋବାଇଲ ବ୍ରଡ଼ବ୍ୟାଣ୍ଡ ଅପେକ୍ଷାକୃତଭାବେ ଆଧୁନିକ ବୈଷୟିକ କୌଶଳ ହେଲେହେଁ ଭାରତରେ ଇଣ୍ଟରନେଟ ବ୍ୟାପ୍ତି ୱାଏରଲେସ ମୋବାଇଲ ବ୍ରଡ଼ବ୍ୟାଣ୍ଡ ବ୍ୟବହାରରେ ସମୃଦ୍ଧ । ଦେଶରେ ୨୦୧୯ ମଧ୍ୟଭାଗ ସୁଦ୍ଧା ୫୮ କୋଟି ଇଣ୍ଟରନେଟ ସଂଯୁକ୍ତି ହିସାବ କରାଯାଉଥିବା ସ୍ଥଳେ ଏଥି ମଧ୍ୟରେ ୩୪ କୋଟି ରିଲାଏନ୍ସ ଜିଓ ମୋବାଇଲ ଫୋନ ଉପଭୋକ୍ତା ଅନ୍ତର୍ଭୁକ୍ତ । ରିଲାଏନ୍ସ ଜିଓର ୪ଜି ମୋବାଇଲ ବ୍ରଡ଼ବ୍ୟାଣ୍ଡ ସେବା ୨୦୧୬ରେ ଆରମ୍ଭ ପରେ ଉଭୟ ମୋବାଇଲ ଫୋନ ଓ ଇଣ୍ଟରନେଟ ବ୍ୟବହାରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଥିଲା ।


 

ରିଲାଏନ୍ସ ଜିଓର ଦ୍ୱିତୀୟ ପର୍ଯ୍ୟାୟ ବ୍ୟାବସାୟିକ ସଂପ୍ରସାରଣରେ ୨୦୧୯ ସେପ୍ଟେମ୍ବର ୫ ତାରିଖରୁ ୱାଇରଡ଼ ବ୍ରଡ଼ବ୍ୟାଣ୍ଡ ସେବା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ‘ଫାଇବର-ଟୁ-ଦି-ହୋମ’ ଷୋହଳ ଶହ ସହରର ନିର୍ଦ୍ଧିଷ୍ଟ ଅଞ୍ଚଳଗୁଡ଼ିକରେ ଫାଇବର ଅପଟିକ ତାର ସାହାଯ୍ୟରେ ଉପଭୋକ୍ତାମାନଙ୍କ ବାସଗୃହରେ କନେକସନ ଦିଆଯାଇଛି । ଏହି କନେକସନ ଏକ ସେଟ ଟପ ବକ୍ସ ନିୟନ୍ତ୍ରଣରେ ଟେଲିଫୋନ ଓ ଇଣ୍ଟରନେଟ ସେବା ପ୍ରଦାନ କରିଥାଏ ।


 

ଭାରତରେ ୱାଏରଡ଼ ବ୍ରଡବ୍ୟାଣ୍ଡ ବଜାର ସୀମିତ । ସର୍ବମୋଟ ଏକ କୋଟି ୮୪ ଲକ୍ଷ ୫୦ ହଜାର ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସଂଯୁକ୍ତି ଉପଲବ୍ଧ । ଏଥି ମଧ୍ୟରେ ଭାରତୀୟ ସଞ୍ଚାର ନିଗମ ସେବା ୯୦ ଲକ୍ଷ ୯ ହଜାର ଏବଂ ଭାରତୀ ଏୟରଟେଲ ସେବା ୨୦ ଲକ୍ଷ ୩୯ ହଜାର ଗ୍ରାହକ ଅନ୍ତର୍ଭୁକ୍ତ । ଏହି ପରିବେଶରେ ଜିଓର ପ୍ରବେଶ ଇଣ୍ଟରନେଟ ପ୍ରସାର କ୍ଷେତ୍ରରେ ୨୦୧୬ର ପ୍ରଥମ ପ୍ରବେଶ ତୁଳନାରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ରୂପାୟନରେ ସମ୍ଭବପର ନହୋଇପାରେ ବୋଲି ଗଣମାଧ୍ୟମ ସମୀକ୍ଷକମାନେ ବିଚ଼ାର କରିଥାନ୍ତି ।


 

ୱାଏରଲେସ ଇଣ୍ଟରନେଟ ସେବା ଗ୍ରହଣ ପାଇଁ ଉପଭୋକ୍ତାମାନେ ଆବଶ୍ୟକୀୟ ଟେଲିଫୋନ ସେଟ ସଂଗ୍ରହ କରିବାପରେ ସଂଯୁକ୍ତି ସଂଭବପର ଥିବା ସ୍ଥଳେ ୱାଏରଡ଼ ଇଣ୍ଟରନେଟ ସେବା ପ୍ରଦାନ ଲାଗି ଉପଭୋକ୍ତାଙ୍କ ଗୃହ ଯାଏଁ ଫାଇବର ଅପଟିକ କିମ୍ୱା ତମ୍ୱା ତାର ଟାଣିବାକୁ ପଡ଼ିଥାଏ । ଏହି କାରଣରୁ ବିଏସଏନଏଲ କିମ୍ୱା ଏୟରଟେଲର ଉପଭୋକ୍ତାମାନେ ତତ୍କ୍ଷଣାତ ସେବାପ୍ରଦାନକାରୀ ବଦଳାଇ ଜିଓ ଗ୍ରାହକ ଶ୍ରେଣୀଭୁକ୍ତ ହେବା ସଂଭବପର ନୁହେଁ । ଏଥି ନିମନ୍ତେ ସଂପୃକ୍ତ ଅଞ୍ଚଳରେ ଅଧିକ ସଂଖ୍ୟକ ଗ୍ରାହକ ସଂଗ୍ରହପରେ ଜିଓ ପକ୍ଷରୁ ତାର ସଂଯୋଗର ପୂର୍ବ ପ୍ରସ୍ତୁତି ଆବଶ୍ୟକ ।


 

ଜିଓ ଫାଇବର ମାସିକ ଗ୍ରାହକ ଚାନ୍ଦା ୬୯୯ ଟଙ୍କାରୁ ଆରମ୍ଭ ହୋଇ ୮,୪୯୯ ଟଙ୍କା ଯାଏଁ ବ୍ୟାପ୍ତ । ଏଥିରେ ଇଣ୍ଟରନେଟ ସେବାର ଗତି ଅତିକମରେ ୧୦୦ ଏମବିପିଏସ ନିର୍ଦ୍ଧାରିତ । ଜିଓର ଗ୍ରାହକ ଚାନ୍ଦା ଓ ବେଗ ଅନ୍ୟ ଦୁଇ ଇଣ୍ଟରନେଟ ସେବା ପ୍ରଦାନକାରୀଙ୍କଠାରୁ ଉନ୍ନତ ଥିବା ହେତୁ ଉପଭୋକ୍ତାମାନେ ଏଥିପ୍ରତି ଆଗ୍ରହାନ୍ଵିତ ହେବା ଆଶା କରାଯାଏ । ଅବଶ୍ୟ ଜିଓର ପ୍ରବେଶରେ ଭାରତୀ ଏରଟେଲ ଓ ବିଏସଏନଏଲ  ପକ୍ଷରୁ ଇଣ୍ଟରନେଟ ବେଗ ଓ ପରିମାଣ ବୃଦ୍ଧି ଓ ଗ୍ରାହକଚାନ୍ଦା ହ୍ରାସ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି ।


 

ଜିଓ ଫାଇବର ଗ୍ରାହକ ଶ୍ରେଣୀଭୁକ୍ତ ହେବା ନିମନ୍ତେ ସେବା ଉନ୍ମୋଚନ କାଳରେ ଏକ କୋଟି ୫୦ ଲକ୍ଷ ଆବେଦନ ପଞ୍ଜୀକୃତ ହୋଇଥିବା ପ୍ରକାଶ । ଜିଓ ପକ୍ଷରୁ ପ୍ରଥମ ବର୍ଷ ଶେଷ ସୁଦ୍ଧା ୱାଏରଡ଼ ବ୍ରଡ଼ବ୍ୟାଣ୍ଡ ସେବା ନିମନ୍ତେ ଦୁଇ କୋଟି ବାସଗୃହ ଓ କୋଟିଏ ପଚାଶ ଲକ୍ଷ ବ୍ୟାବସାୟିକ ଗ୍ରାହକ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଜିଓ ଫାଇବର ସେବା ୧୬୦୦ ସହରରେ ଉପଲବ୍ଧ ଥିବା ସ୍ଥଳେ ଭାରତୀ ଏୟରଟେଲର ସେବା ମାତ୍ର ୯୯ ସହରରେ ସୀମିତ । ଜିଓ ଫାଇବରର ବ୍ୟାପ୍ତି ଏହାର ଉପଭୋକ୍ତା ବୃଦ୍ଧିରେ ସହାୟକ ହେବ ବୋଲି ଯୁକ୍ତି ବଢାଯାଉଛି ।


 

ଅପରପକ୍ଷେ ଭାରତରେ ଇଣ୍ଟରନେଟ ସଂଯୁକ୍ତି ୱାଏରଡ଼ ବଦଳରେ ୱାଏରଲେସ ବ୍ରଡବ୍ୟାଣ୍ଡ ବ୍ୟବହାରରେ ପର୍ଯ୍ୟବସିତ ହୋଇଥିବା ସ୍ଥଳେ ଜିଓ ଫାଇବର ଭଳି ୱାଏରଡ଼ ବ୍ରଡ଼ବ୍ୟାଣ୍ଡ ସେବାର ପ୍ରସାର କଛପଗତି ଆକଳନ କରାଯାଇଥାଏ । ଦେଶରେ ଉପଭୋକ୍ତାମାନେ ମୁଖ୍ୟତଃ ମୋବାଇଲ ଫୋନ ଯୋଗେ ଇଣ୍ଟରନେଟ ମଞ୍ଚରେ ଦୈନନ୍ଦିନଭିତ୍ତିରେ ଅଧିକ ସମୟ ଉପସ୍ଥିତ ରହୁଥିବା ଏଭଳି ଆଶଙ୍କାର ପ୍ରମୁଖ କାରଣ ।


 

ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୨୦୧୯ ଶେଷ ସୁଦ୍ଧା ୬୫ କୋଟିରେ ପହଞ୍ଚିବା ହିସାବ କରାଯାଉଥିବା ସ୍ଥଳେ ଗ୍ରାମାଞ୍ଚଳରେ ଆନୁପାତିକ ହାରରେ ବୃଦ୍ଧି ଉଲ୍ଲେଖଯୋଗ୍ୟ । ୨୦୧୮ ତୁଳନାରେ ୨୦୧୯ରେ ବାର୍ଷିକ ଅଭିବୃଦ୍ଧି ସହରାଞ୍ଚଳରେ ମାତ୍ର ସାତ ପ୍ରତିଶତରେ ସୀମାବଦ୍ଧ ଥିବା ସ୍ଥଳେ ଗ୍ରାମାଞ୍ଚଳରେ ୩୫ ପ୍ରତିଶତ ଅଭିବୃଦ୍ଧି ସମ୍ଭବ ହୋଇଛି । ୱାଏରଡ଼ ବ୍ରଡବ୍ୟାଣ୍ଡ ପ୍ରସାର ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ସହଜସାଧ୍ୟ ମନେ ହୁଏନା । ଏହି ଦୃଷ୍ଟିରୁ ଜିଓ ଫାଇବର ବଜାରର ଅଭିବୃଦ୍ଧି ସହ ତାଳଦେବା ବୈଷୟିକ ଦୃଷ୍ଟିରୁ କଷ୍ଟସାଧ୍ୟ ।


 

ସାମଗ୍ରୀକ ଭାବେ ଜିଓ ଫାଇବର ପ୍ରବେଶ ଦେଶର ୱାଏରଡ଼ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସୁବିଧାରେ ଅଧିକ ବେଗ, କମ ଦରରେ ଉପଲବ୍ଧ ହେବା ଫଳରେ ଏହି କ୍ଷେତ୍ରରେ ପ୍ରତିଯୋଗିତାପୂର୍ଣ୍ଣ ପରିବେଶ ସୃଷ୍ଟି କରିବାରେ ସମର୍ଥ ହେଲେହେଁ ଭାରତରେ ଇଣ୍ଟରନେଟ ସଂଯୁକ୍ତି ଓ ବ୍ୟବହାର ପ୍ରସାରରେ କେତେଦୂର ସଫଳତା ହାସଲ କରିବ ତାହା ସମୟ କହିବ ।          


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୦ ସେପ୍ଟେମ୍ୱର ୨୦୧୯


ତଥ୍ୟ:



Now, Jio looks to create stir in wired broadband space. The Financial Express (Chennai / Kochi Edition) September 6, 2019.

୫ଜି ଟେଲିଯୋଗାଯୋଗ ସେବା

ପଞ୍ଚମ ପୀଢ଼ି ଟେଲିଯୋଗାଯୋଗ ସେବା ବା ‘୫ଜି ଟେଲିକମ୍ୟୁନିକେସନ ସର୍ଭିସେସ’ ଭାରତରେ ୨୦୨୦ ସୁଦ୍ଧା ଆରମ୍ଭ ହେବା ଆଶା କରାଯାଉଛି । ଆମ ଦେଶରେ ଅତ୍ୟାଧୁନିକ ୫ଜି ଟେଲିଯୋଗାଯୋଗ ପ୍ରଚଳନ ନିମନ୍ତେ ସମ୍ଭାବ୍ୟ ନୀତିନିର୍ଦ୍ଧାରଣ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୭ ସେପ୍ଟେମ୍ବର ମାସରେ ଏକ ଷ୍ଟିଅରିଂ କମିଟି ଗଠିତ ହୋଇଥିଲା ଏବଂ କମିଟି ନିଜ ରିପୋର୍ଟ ୨୦୧୮ ଅଗଷ୍ଟ ମାସରେ ଉପସ୍ଥାପନ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଭାରତୀୟ ବଂଶୋଦ୍ଭବ ପ୍ରଫେସର ଏ.ଜେ. ପାଉଲରାଜ କମିଟିର ଅଧ୍ୟକ୍ଷତା କରିଥିଲେ ।

 

ପାଉଲରାଜ କମିଟି ଭାରତରେ ୫ଜି ଟେଲିଯୋଗାଯୋଗ ସେବା ପ୍ରଚଳନ ଫଳରେ ସାମଗ୍ରୀକ ପ୍ରଗତି ସହ ସମାଜର ଅବହେଳିତ ବର୍ଗଙ୍କ ସ୍ୱାର୍ଥ ସଂରକ୍ଷଣରେ ସହାୟକ ହୋଇପାରିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ଏହି କାରଣରୁ ୫ଜି ନେଟୱାର୍କକୁ ଜାତୀୟସ୍ତରରେ ମୌଳିକ ଭିତ୍ତିଭୂମି ‘ଏସେନସିଆଲ ଇନଫ୍ରାଷ୍ଟକଚ଼ର’ର ମାନ୍ୟତା ପ୍ରଦାନ ଓ ଟେଲିସେବା ପ୍ରଦାନକାରୀଙ୍କୁ ଭିତ୍ତିଭୂମି ଗଢ଼ିବା ସକାଶେ ନିବେଶ ସଂଗ୍ରହରେ ରିହାତି ପ୍ରଦାନ ନିମନ୍ତେ ସୁପାରିଶ କରିଛନ୍ତି।

 

ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନଭଳି ବିକଶିତ ରାଷ୍ଟ୍ର ତୁଳନାରେ ଭାରତରେ ବିତରିତ ସ୍ପେକ୍ଟ୍ରମ ଲାଇସେନ୍ସ ପରିମାଣ କମ ତଥା ଦର ଅଧିକ ଥିବା ହେତୁ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ପେକ୍ଟ୍ରମ ଆବଣ୍ଟନ ଅବସରରେ ଆବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଏହି ଦୁଇ କାରଣରୁ ଟେଲିଯୋଗାଯୋଗ ସେବା ଖର୍ଚ୍ଚବହୁଳ ହୋଇପଡୁଥିବା ତଥା ଆବଣ୍ଟନ ନିମନ୍ତେ ଚ଼ିହ୍ନଟ ହୋଇଥିବା ସ୍ପେକ୍ଟ୍ରମ ବିକ୍ରୀ ନ ହୋଇପାରୁଥିବା ଟେଲିଯୋଗାଯୋଗ ବିକାଶରେ ବାଧକ ସାଜୁଛି ବୋଲି ଚ଼େତାଇ ଦିଆଯାଇଛି ।

 

ଭାରତୀୟ ଗଣମାଧ୍ୟମ ପରିବେଶରେ ପାଉଲରାଜ କମିଟିର ୫ଜି ଟେଲିଯୋଗାଯୋଗ ସେବା ପ୍ରଚଳନ ନିମନ୍ତେ ପ୍ରସ୍ତାବିତ ସକାରତ୍ମକ ନୀତିନିର୍ଦ୍ଧାରଣ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ଆମ ଦେଶରେ ଅତୀତରେ ସରକାରୀସ୍ତରରେ ସ୍ପେକ୍ଟ୍ରମ ଆବଣ୍ଟନଜନିତ ତୃଟିବିଚ୍ୟୁତି ହେତୁ ଟେଲିଯୋଗାଯୋଗ ବିକାଶରେ ବାଧା ପହଞ୍ଚିଥିଲା । ଯଦି ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ଓ ଉପଯୋଗରେ ସୁଚ଼ାରୁରୂପେ ସମ୍ପନ୍ନ ହୁଏ ତେବେ ଦେଶବାସୀ ବିକଶିତ ରାଷ୍ଟ୍ରଗୁଡ଼ିକ ସହ ସମତାଳରେ ଅତ୍ୟାଧୁନିକ ଟେଲିଯୋଗାଯୋଗ ସେବା ବ୍ୟବହାର କରିବା ସମ୍ଭବପର । ଉପଭୋକ୍ତାଙ୍କ ବହୁଳ ଉପସ୍ଥିତି ଗଣମାଧ୍ୟମର ଗୁଣାତ୍ମକ ବିକାଶରେ ସହାୟକ ହେବ ।

 

ସରଳରେ ବୁଝାଇବାକୁ ଗଲେ ୫ଜି ସ୍ପେକ୍ଟ୍ରମ ଉପଯୋଗରେ ଇଣ୍ଟରନେଟଭିତ୍ତିକ କାର୍ଯ୍ୟାବଳୀ ୪ଜି ସ୍ପେକ୍ଟ୍ରମଠାରୁ ୧୦୦ଗୁଣ ଅଧିକ ବେଗରେ କାର୍ଯ୍ୟଦକ୍ଷତା ହାସଲ କରିବ । ଅନଲାଇନରେ ସ୍ଥିରତା ଓ ବେଗ ଅତ୍ୟାଧୁନିକ ଉଦ୍ଭାବନମାନ ବ୍ୟବହାରଲାଗି ଦ୍ୱାର ଉନ୍ମୁକ୍ତ ହେବ । ରୋବୋଟିକ ସର୍ଜରୀ ବା ଅଟୋନୋମାସ କାରଚ଼ାଳନା ଭଳି ବୈଷୟିକ କଳାକୌଶଳ ୫ଜି ଟେଲିଯୋଗାଯୋଗ ଆବଶ୍ୟକ କରିଥାଏ । ତେବେ ଏଭଳି ସୁବିଧା ସୁଯୋଗ ସମାଜର ଉଚ୍ଚବର୍ଗଙ୍କ ଲାଗି ଅଭିପ୍ରେତ ବୋଲି ଭାବିବା ଭୁଲ, ସମାଜର ଅବହେଳିତ ବର୍ଗଙ୍କ ବହୁ ସମସ୍ୟା ସମାଧାନ ସଂଭବପର ।

 

କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ଼ିଜିଟାଲ ଭାରତ ପରିକଳ୍ପନାକୁ ଗୁରୁତ୍ୱ ଦିଆଯାଉଛି । ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି, ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ୨୦୧୮ ସେପ୍ଟେମ୍ୱର ମାସରେ ଆର୍ଜେଣ୍ଟିନାରେ ଆହୂତ ଡ଼ିଜିଟାଲ ଅର୍ଥନୀତି ସଂପର୍କୀତ ଜି-୨୦ ବୈଠକରେ ଯୋଗ ଦେଇ ଫେରିବାପରେ ଅନୁଭୂତି ବର୍ଣ୍ଣନା କରି ଟେଲିଯୋଗାଯୋଗ ବିକାଶ କ୍ଷେତ୍ରରେ ଭାରତର ପଦକ୍ଷେପକୁ ଆନ୍ତର୍ଜାତିକସ୍ତରରେ ସ୍ୱୀକୃତି ମିଳୁଥିବା ଉଲ୍ଲେଖ କରିଥିଲେ । ମନ୍ତ୍ରୀଙ୍କ ହିସାବରେ ୨୦୧୮ ମଧ୍ୟଭାଗ ସୁଦ୍ଧା ଦେଶର ୧୩୦ କୋଟି ନାଗରିକଙ୍କ ପାଇଁ ୧୨୧ କୋଟି ମୋବାଇଲ ଫୋନ ଓ ୫୦ କୋଟି ଇଣ୍ଟରନେଟ ସଂଯୁକ୍ତି ଉପଲବ୍ଧ । ସାଧାରଣ ନାଗରିକଙ୍କୁ ବୈଷୟିକ ପ୍ରଗତି ସହ ଯୋଡ଼ିବା ନିମନ୍ତେ ସରକାର ବଦ୍ଧପରିକର ।

 

ସରକାରଙ୍କ ସମ୍ଭାବ୍ୟ ନୀତିନିର୍ଦ୍ଧାରଣକୁ ଭିତ୍ତିକରି ଘରୋଇ ଉଦ୍ୟୋଗରେ ଟେଲିଯୋଗାଯୋଗ ବିକାଶ ନିମନ୍ତେ ପଦକ୍ଷେପମାନ ଗ୍ରହଣ କରାଯାଉଛି । ୨୦୧୮ ଅକ୍ଟୋବରରେ ଆହୂତ ମୋବାଇଲ କଂଗ୍ରେସରେ ପ୍ରସ୍ତାବିତ ‘ଜିଓ-ଗିଗା-ଫାଇବର’ ଯୋଜନା ସଂପର୍କରେ ସୂଚ଼ନା ଦେଇ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଆମ୍ୱାନୀ କହିଥିଲେ ଯେ ୨୦୨୦ ସୁଦ୍ଧା ଦେଶର ପ୍ରତ୍ୟେକ ମୋବାଇଲ ଉପଭୋକ୍ତା ୪ଜି ଫୋନ ବ୍ୟବହାର କରିବା ବେଳେ ୫ଜି ପାଇଁ ପ୍ରସ୍ତୁତ ରହିବେ । ମୋବାଇଲ ବ୍ରଡ଼ବ୍ୟାଣ୍ଡ ବ୍ୟବହାର କ୍ଷେତ୍ରରେ ଆନ୍ତର୍ଜାତିକସ୍ତରରେ ଭାରତର ସ୍ଥାନ ୧୫୫ରୁ ମାତ୍ର ଦୁଇବର୍ଷ ମଧ୍ୟରେ ପ୍ରଥମ ସ୍ଥାନକୁ ଉନ୍ନୀତ ହେବା ଅଭିଜ୍ଞତା ଭବିଷ୍ୟତରେ ଟେଲିଯୋଗାଯୋଗର ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିବିମ୍ୱିତ ହେବ ।

 

ରିଲାଏନ୍ସ ଜିଓର ପ୍ରମୁଖ କର୍ମକର୍ତ୍ତା ମେଥ୍ୟୁ ଓମେନ କହୁଛନ୍ତି ଯେ ଭାରତରେ ୫ଜି ଟେଲିଯୋଗାଯୋଗ ବ୍ୟବସ୍ଥାର ସଫଳତା ଉପଭୋକ୍ତାଙ୍କ ପାଇଁ ସୁଲଭ ମୂଲ୍ୟରେ ୫ଜି ଉପଯୋଗୀ ସ୍ମାର୍ଟଫୋନ ପ୍ରଚ଼ଳନ ଉପରେ ନିର୍ଭରଶୀଳ । ଜିଓ ପକ୍ଷରୁ ୪ଜି ଟେଲିଯୋଗାଯୋଗ ଆରମ୍ଭ ଅବସରରେ ୩,୦୦୦ ରୁ ୪,୦୦୦ ଟଙ୍କାରେ ସ୍ମାର୍ଟଫୋନ ଯୋଗାଣର ବ୍ୟବସ୍ଥା କରାଯାଇଥିଲା । ଏହିଭଳି ସୁଯୋଗ ହେତୁ ଅଧିକ ସଂଖ୍ୟାରେ ଉପଭୋକ୍ତା ନୂତନ ବୈଷୟିକ କୌଶଳପ୍ରତି ଆକର୍ଷିତ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୪ଜି ଫିଚ଼ର ଫୋନ ୧୫୦୦ ଟଙ୍କା ଅମାନତରେ ଗ୍ରାହକ ସଂଗ୍ରହ କରିବା ସଙ୍ଗେ କିଛି ବର୍ଷପରେ ପୁରୁଣା ଫୋନ ବଦଳରେ ଅମାନତ ଟଙ୍କା ଫେରାଇଦେବା ଯୋଜନା ଆର୍ଥିକଦିଗରୁ ଅନଗ୍ରସର ଉପଭୋକ୍ତାଙ୍କୁ ୪ଜି ଟେଲିଯୋଗାଯୋଗରେ ସାମିଲ କରାଇପାରିଥିଲା ।

 

ସ୍ମାର୍ଟଫୋନ ନିର୍ମାଣକ୍ଷେତ୍ରରେ ନିର୍ଦ୍ଧାରିତ ଦରରୁ ଅର୍ଦ୍ଧେକ ଚିପସେଟ ସଂଗ୍ରହ ବାବଦରେ ଖର୍ଚ୍ଚ କରାଯାଇଥାଏ । କ୍ୱାଲକମ ବା ମେଡିଟେକ ଭଳି ବୈଦେଶିକ ନିର୍ମାତାଙ୍କଠାରୁ ଚିପସେଟ ଆମଦାନୀ କରାଯାଉଥିବାସ୍ଥଳେ ସ୍ମାର୍ଟଫୋନ ନିର୍ମାଣରେ ଖର୍ଚ୍ଚ ବାହ୍ୟ ସୂତ୍ରଦ୍ୱାରା ପ୍ରଭାବିତ ହୋଇଥାଏ । ଏଭଳି ପରିବେଶରେ କମ ଦରରେ ୫ଜି ସ୍ମାର୍ଟଫୋନ ବିକ୍ରୀ ବ୍ୟବସାୟିକ ଭିତ୍ତିଭୂମି ଉପରେ ନିର୍ଭରଶୀଳ ରହିବ ।

 

ଆନ୍ତର୍ଜାତିକସ୍ତରରେ କେତେକ ବିକଶିତ ରାଷ୍ଟ୍ର ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ସାରି ବ୍ୟାବସାୟିକ ବ୍ୟବହାର ନିମନ୍ତେ ପ୍ରସ୍ତୁତ ହେଲେଣି । ଭାରତରେ ସ୍ପେକ୍ଟ୍ରମ ଆବଣ୍ଟନ ତଦାରଖ କରୁଥିବା ଟେଲିକମ ରେଗୁଲେଟରି ଅଥାରିଟି ଅଫ ଇଣ୍ଡିଆ (ଟ୍ରାଇ) ପକ୍ଷରୁ ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ସଂପର୍କୀତ ପ୍ରସ୍ତାବ ସରକାରଙ୍କଠାରେ ଉପସ୍ଥାପିତ କରିସାରିଥିଲେ ହେଁ ଚୁଡାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରାଯାଉଛି । ବ୍ୟାବସାୟିକ ବ୍ୟବହାର ପୂର୍ବରୁ କେତେକ ଟେଲିଯୋଗାଯୋଗ କମ୍ପାନୀ ପକ୍ଷରୁ ୫ଜି ସେବା ପରୀକ୍ଷାମୂଳକ ଭାବେ ବ୍ୟବହାର ନିମନ୍ତେ ପଦକ୍ଷେପ ନେଉଛନ୍ତି । ରିଲାଏନ୍ସ ଜିଓ ସମସୁଙ୍ଗ ସହଯୋଗରେ ୨୦୧୯ ପ୍ରାରମ୍ଭରେ ଏଭଳି ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ କରିବବୋଲି ଜଣାଯାଏ ।

 

ଭାରତର ଭୌଗଳିକ ବିସ୍ତୃତି ଓ ସାମାଜିକ, ସାଂସ୍କୃତିକ, ଅର୍ଥନୀତିକ ବିବିଧତା ସତ୍ତ୍ୱେ ଟେଲିଯୋଗାଯୋଗ କ୍ଷେତ୍ରରେ ପ୍ରସ୍ତାବିତ ଫାଇବର-ଟୁ-ଦି-ହୋମ ଓ ୫ଜି ବୈଷୟିକ କୌଶଳର ବ୍ୟବହାର ୨୦୨୨ ସୁଦ୍ଧା ଗଣଯୋଗାଯୋଗ ମଞ୍ଚଗୁଡ଼ିକର ରୂପରେଖରେ ଦୃତ ପରିବର୍ତ୍ତନ ଆଶା କରାଯାଇପାରେ । ଗଣମାଧ୍ୟମ କର୍ମୀମାନଙ୍କ ପାଇଁ ପରିବର୍ତ୍ତନ ସହ ସମତାଳରେ ସୃଜନଶୀଳତାର ପୁର୍ନମୂଲ୍ୟାୟନ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ଆଧୁନିକ ବୈଷୟିକ କଳାକୌଶଳ ଆୟତ୍ତ ବିନା ବୃତ୍ତିଗତ ଜୀବନରେ ସଫଳତା ସଂଭବପର ନ ହୋଇପାରେ । ଏଥିଲାଗି ପୂର୍ବପ୍ରସ୍ତୁତି ଅପରିହାର୍ଯ୍ୟ ।           


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ନଭେମ୍ୱର ୨୦୧


ତଥ୍ୟ:



Rathee, Kiran. 5G by ’20, a $ 1 – trn bet for India. Business Standard (Bhubaneswar Edition), August 24, 2018.


Das Gupta, Surajeet. Jio to make 5G Phones as affordable as 4G, Business Standard (Bhubaneswar Edition) October 29, 2018.


Prasad, Ravi Shankar. Digital India finds global resonance : Indian talent has supported Silicon Valley, time to build a similar ecosystem at home. The Times of India (Bhubaneswar Edition). September 13, 2018.

ସମ୍ଭାବନାରେ ୫ଜି ଟେଲିଯୋଗାଯୋଗ

ଭାରତୀୟ ଟେଲିଯୋଗାଯୋଗ ପରିଧିରେ ୫ଜି ସ୍ପେକ୍ଟ୍ରମ ପ୍ରଚଳନଲାଗି ପରୀକ୍ଷା ନିରୀକ୍ଷା ଆୟୋଜନ ୨୦୧୯ର ପ୍ରଥମ ଭାଗରେ ବହୁଳ ଚର୍ଚ୍ଚିତ ଉପକ୍ରମ । ବିକଶିତ ରାଷ୍ଟ୍ରଗୁଡ଼ିକରେ ୨ଜି, ୩ଜି ଓ ୪ଜି ପ୍ରଚଳନର ଦୀର୍ଘ କାଳ ଅପେକ୍ଷା ପରେ ଆମ ଦେଶରେ ଅନୁରୂପ ସେବା ମିଳିଥିବା ସ୍ଥଳେ ୫ଜି ସେବା ଆନ୍ତର୍ଜାତିକସ୍ତରରେ ସମତାଳରେ ରୂପାୟିତ କରିବାକୁ ଉଦ୍ୟମ କରାଯାଉଛି । କେନ୍ଦ୍ର ସରକାରଙ୍କ ଟେଲିଯୋଗାଯୋଗ ମନ୍ତ୍ରଣାଳୟପକ୍ଷରୁ ଚ଼ୀନର ପ୍ରମୁଖ ଟେଲିଯୋଗାଯୋଗ ସରଞ୍ଜାମ ନିର୍ମାତା ‘ହୁୱାଇ’କୁ ୫ଜି ସେବା ପରୀକ୍ଷା କରିବା ନିମନ୍ତେ ଅନୁମତି ପ୍ରଦାନ କରିସାରିଛନ୍ତି ଏବଂ ୨୦୧୯ ଜାନୁୟାରୀ, ଫେବୃୟାରୀ କିମ୍ୱା ମାର୍ଚ୍ଚ ମାସରୁ ତାହା ଆରମ୍ଭ ହେବା ନିମନ୍ତେ ସ୍ଥିରୀକୃତ ହୋଇଛି ।


 

କୁହାଯାଉଛି ଯେ ଦେଶର କେତେଗୋଟି ଅଞ୍ଚଳରେ ହୁୱାଇର ପରୀକ୍ଷାଛଅରୁ ନଅମାସ ଯାଏଁ ଚ଼ାଲିବ । ଅର୍ଥାତ ୨୦୨୧ ବେଳକୁ ୫ଜିର ବ୍ୟାବସାୟିକ ସେବା ବଜାରରେ ଉପଲବ୍ଧ ହେବା ଆଶା କରାଯାଇପାରେ । ଅକ୍ଟୋବର ୨୦୧୮ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ହୁୱାଇ, ରିଲାଏନ୍ସ ଜିଓ ଓ ଭାରତୀ ଏୟରଟେଲ ସହଯୋଗରେ ୫ଜି ନେଟୱାର୍କ କାର୍ଯ୍ୟକାରିତାର ନମୂନା ପ୍ରଦର୍ଶନ କରିଥିଲା । ଏହି ଅବସରରେ ୟୁରୋପୀୟ ଟେଲିଯୋଗାଯୋଗ ସରଞ୍ଜାମ ନିର୍ମାତା ଏରିକସନ ମଧ୍ୟ ନୂଆଦିଲ୍ଲୀ ଇଣ୍ଡିଆନ ଇନଷ୍ଟିଟିଉଟ ଅଫ ଟେକନୋଲଜି ଓ ରିଲାଏନ୍ସ ଜିଓର ସହଯୋଗରେ ୫ଜି ନେଟୱାର୍କ ଉପଯୋଗରେ ଚ଼ାଳକବିହୀନ କାର ଓ ବସ ଚ଼ାଳନାର ପ୍ରଦର୍ଶନ ଆୟୋଜନ କରିଥିଲା । ଅତଏବ ମୋଟାମୋଟିଭାବେ ୨୦୧୮ରୁ ଭାରତରେ ୫ଜି ଟେଲିଯୋଗାଯୋଗ ସେବାର ପରୀକ୍ଷାମୂଳକ ପ୍ରଚଳନ ଆରମ୍ଭ ହୋଇସାରିଛି ବୋଲି କରିବାକୁ ହେବ ।


 

ଭାରତରେ ସରକାରୀସ୍ତରରେ ଟେଲିକମ ସ୍ପେକ୍ଟ୍ରମ ଆବଣ୍ଟନ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକାରିତାରେ ବିଳମ୍ୱ ଘଟୁଥିଲା । କିନ୍ତୁ ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ନେଇ ସରକାରଙ୍କ ପକ୍ଷରୁ ବହୁ ଆଗରୁ ତତ୍ପରତା ପ୍ରକାଶପାଇଛି । ଯଥାଶୀଘ୍ର ନିଲାମ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଏ। ତେବେ ପ୍ରାଥମିକସ୍ତରରେ ୫ଜି ଟେଲିଯୋଗାଯୋଗ ସୀମିତ ଅଞ୍ଚଳରେ କାର୍ଯ୍ୟକାରୀ ହେବାପରେ ସମଗ୍ର ଦେଶରେ ବ୍ୟାପ୍ତିଲାଗି ତିନିରୁ ଚ଼ାରି ବର୍ଷ ସମୟ ଲାଗିଯାଇପାରେ । ଦେଶରେ ୪ଜି କାରିଗରୀ କୌଶଳ ସଂପୂର୍ଣ୍ଣରୂପେ ବିକଶିତ ହୋଇପାରି ନାହିଁ ଏବଂ ସମସ୍ତଙ୍କ ହାତରେ ୪ଜି ବ୍ରଡ଼ବ୍ୟାଣ୍ଡ ସେବା ପହୁଞ୍ଚାଇବା ନିମନ୍ତେ ୨୦୨୦ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ରିଲାଏନ୍ସ ଜିଓର ଅଧ୍ୟକ୍ଷ କହୁଛନ୍ତି ।


 

୫ଜି ଟେଲିଯୋଗାଯୋଗ ସେବା ଉଭୟ ମୋବାଇଲ ଓ ସ୍ଥାୟୀ ବ୍ରଡ଼ବ୍ୟାଣ୍ଡର ଗୁଣବତ୍ତା ବିକାଶରେ ସହାୟକ ହେବ । ଇଣ୍ଟରନେଟ ଡ଼ାଟା ବ୍ୟବହାରରେ ସ୍ଥିରତା ଓ ବେଗ ବୃଦ୍ଧି ଯାବତୀୟ ଅନଲାଇନ କାର୍ଯ୍ୟ ସୁଚ଼ାରୁରୂପେ ଚଳାଇବା ନିମନ୍ତେ ପରିବେଶ ସୃଷ୍ଟି କରିବ । ବ୍ୟାଙ୍କରେ ଦେଣନେଣ ହେଉ କିମ୍ୱା ବିଦ୍ୟାଳୟରେ ଭିଡ଼ିଓ ପାଠ୍ୟକ୍ରମ ପ୍ରଦର୍ଶନରେ ଇଣ୍ଟରନେଟ ସଂଯୋଗଜନିତ କ୍ଳେଶ ଲାଘବ ହୋଇପାରିବ । ଏତଦ୍ବ୍ୟତୀତ ବିଭିନ୍ନ ବୈଜ୍ଞାନିକ ଆବିଷ୍କାର ଯଥା: ଡ୍ରୋନ ଯୋଗେ ପରିବହନ, ଚ଼ାଳକ ବିହୀନ ମଟରଗାଡ଼ି ତଥା ସୁଦୂର ଅବସ୍ଥିତିରେ ଅସ୍ତ୍ରୋପଚ଼ାର ଭଳି ସୁବିଧାସୁଯୋଗ ଉପଲବ୍ଧ ହେବ ।


 

ଭାରତରେ ୫ଜି ବୈଷୟିକକୌଶଳ ଗ୍ରାମାଞ୍ଚଳ, ବିଶେଷକରି ଦୁର୍ଗମ ଅଞ୍ଚଳରେ ଟେଲିଯୋଗାଯୋଗ ବିକାଶରେ ସହାୟକ ହୋଇପାରିବ ବୋଲି ଆଶା କାରାଯାଉଛି । ଉଦାହରଣରେ ୨ଜି ଓ ୩ଜି ବ୍ୟବହାରଲାଗି ଉଦ୍ଦିଷ୍ଟ ଟାୱାରଯୋଗେ ସୀମିତ ଅଞ୍ଚଳରେ ପ୍ରସାରଣ ସମ୍ଭବପର ଥିବା ସ୍ଥଳେ ୫ଜି ଉପଯୋଗରେ ପ୍ରସାରଣର ପରିଧି ବୃଦ୍ଧିପ୍ରାପ୍ତ ହେବ । ଏହି ପରିପ୍ରେକ୍ଷୀରେ ଓଡ଼ିଶା କଥା ବିଚ଼ାର କରାଯାଇପାରେ । ଆନ୍ତର୍ଜାତିକସ୍ତରରେ ୨୦୧୮ ସୁଦ୍ଧା ୯୬ ପ୍ରତିଶତ ଜନସାଧାରଣ ମୋବାଇଲ ଫୋନ ଯୋଗାଯୋଗ ନେଟୱାର୍କ ପରିଧିରେ ଅନ୍ତର୍ଭୁକ୍ତ ଥିବା ସ୍ଥଳେ ଏକ ଆକଳନ ଅନୁଯାୟୀ ରାଜ୍ୟର ୫୧,୩୫୩ ଗ୍ରାମ ମଧ୍ୟରୁ ୧୧,୦୭୮ ଗ୍ରାମରେ ମୋବାଇଲ ସେବା ଅପହଞ୍ଚ । ସମଗ୍ର ଦେଶରେ ୩୫ ହଜାର ଗ୍ରାମ ମୋବାଇଲ ସେବା ପାଇପାରୁନଥିବା ସ୍ଥଳେ ସେଥିମଧ୍ୟରେ ୧୧ ହଜାର ଗ୍ରାମ ଓଡ଼ିଶାରେ ଅବସ୍ଥିତ । ଏହି ଅଞ୍ଚଳଗୁଡ଼ିକରେ ବିଭିନ୍ନ କାରଣରୁ ଫାଇବର ଅପ୍ଟିକ କେବଲ ବିଛା ସମ୍ଭବପର ହୋଇପାରୁ ନଥିବା ବେଳେ ୫ଜି ବୈଷୟିକ କୌଶଳ ମୋବାଇଲ ବ୍ରଡ଼ବ୍ୟାଣ୍ଡର ସୁବିଧା ଆଣିଦେଇପାରେ ।


 

ଗ୍ରାମାଞ୍ଚଳେରେ ଅଭିଜ୍ଞ ଦକ୍ଷ ଡ଼ାକ୍ତରଙ୍କ ଅଭାବ ହେତୁ ଗରିବ ଜନସାଧାରଣ ସହରାଞ୍ଚଳରେ ଉପଲବ୍ଧ ଉନ୍ନତମାନର ଚ଼ିକିତ୍ସା ସୁଯୋଗ ପାଇପାରୁ ନାହାନ୍ତି । ବିଶେଷକରି ଠିକଣା ସମୟରେ ଅସ୍ତ୍ରଚ଼ିକିତ୍ସା କ୍ଷେତ୍ରରେ ଅବହେଳା ଲାଗି ରହିଛି । ୫ଜି ପ୍ରଚଳନ ପରେ ଟେଲିମେଡ଼ିସନ ଓ ରିମୋଟ ରୋବଟିକ ଅସ୍ତ୍ରୋପଚ଼ାର ସମ୍ଭବପର ।ଶଲ୍ୟ ଚ଼ିକିତ୍ସକମାନେ ସହରାଞ୍ଚଳରେ ବଡ଼ ବଡ଼ ଚ଼ିକିତ୍ସାଳୟରୁ ଯନ୍ତ୍ରପାତି ଉପଯୋଗରେ ଗ୍ରାମାଞ୍ଚଳର ଅପରେସନ ଟେବୁଲରେ ରୋବଟ ସହାୟତାରେ ଅସ୍ତ୍ରୋପଚ଼ାର କରିପାରିବେ । ଏଥି ନିମନ୍ତେ ଦୃଢ଼ ଇଣ୍ଟରନେଟ ସଂଯୁକ୍ତି ଆବଶ୍ୟକ ।


 

ଚ଼ିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅଙ୍ଗ ପ୍ରତିରୋପଣ ମଙ୍ଗ ଧରିଲାଣି । ସାମାଜିକ ସଚ଼େତନତା ପ୍ରସାରରେ ଓଡ଼ିଶା ଭଳି ରକ୍ଷଣଶୀଳ ସମାଜରେ ମଧ୍ୟ ଅବିଶ୍ୱାସନୀୟ ସଂଖ୍ୟାରେ ଜନସାଧାରଣ ଅଙ୍ଗଦାନ କରିବା ନିମନ୍ତେ ସ୍ୱୀକାରୋକ୍ତିରେ ସ୍ୱାକ୍ଷର କରୁଛନ୍ତି । କିନ୍ତୁ ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ପରିବହନଜନିତ କାଳକ୍ଷେପଣ ବ୍ୟବସ୍ଥା ହେତୁ ଅଭିଯାନ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ତେବେ ୫ଜି ଟେଲିଯୋଗାଯୋଗ ସେବା ପ୍ରଚଳନ ଫଳରେ ଡ୍ରୋନଯୋଗେ ଅଙ୍ଗ କିମ୍ୱା ଔଷଧପତ୍ର ପରିବହନ ପରିସ୍ଥିତିକୁ ବଦଳାଇ ଦେଇପାରେ । ଏହି ବ୍ୟବସ୍ଥାଦ୍ୱାରା ଚ଼ିକିତ୍ସାକ୍ଷେତ୍ରରେ ଆଶା ହରାଇବାକୁ ବସିଥିବା ବହୁ ଦୁଃସାଧ୍ୟ ରୋଗୀ ଉପକୃତ ହୋଇପାରିବେ ।


 

ସେହିପରି ଖଣିଖାଦାନରେ ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଶ୍ରମିକମାନଙ୍କୁ କାର୍ଯ୍ୟକରିବାକୁ ପଡୁଛି । ନିଯୁକ୍ତି ସୁଯୋଗକୁ ହାତଛଡ଼ା ନକରିବା ନିମନ୍ତେ ଜାଣିଶୁଣି ସେମାନେ ନିଷିଦ୍ଧ ଇଲାକାରେ ପ୍ରବେଶ କରୁଛନ୍ତି । ୫ଜି ଟେଲିଯୋଗାଯୋଗ ବ୍ୟବହାରରେ ସ୍ୱୟଂଚ଼ାଳିତ କେଟରପିଲର ଯୋଗେ ବିପଦପୂର୍ଣ୍ଣ କାର୍ଯ୍ୟ ସମାହିତ କରାଯାଇପାରିବ । ଓଡ଼ିଶାରେ ବହୁ ଶ୍ରମିକ ଖଣି ଅଞ୍ଚଳରେ କାର୍ଯ୍ୟରତଥିବା ପରିପ୍ରେକ୍ଷୀରେ ଏଭଳି ଟେଲିଯୋଗାଯୋଗ ସେବା ସେମାନଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳ ପ୍ରବେଶରୁ ବଞ୍ଚିତ ରଖିପାରିବ । ଅନ୍ୟାନ୍ୟ ଉପଯୋଗ ମଧ୍ୟରେ ୫ଜିର ‘ଲୋ-ମୋବିଲିଟି-ଲାର୍ଜ-କଭରେଜ’ ବୈଶିଷ୍ଟ୍ୟ ଶିକ୍ଷା ଓ ମନୋରଞ୍ଜନ କ୍ଷେତ୍ରରେ ନୂତନ ପରିବେଶ ସୃଷ୍ଟି କରିବା ନିଶ୍ଚିତପ୍ରାୟ । ଅପହଞ୍ଚ ଅଞ୍ଚଳରେ ନିରନ୍ତର ରେଡ଼ିଓ ପ୍ରସାରଣ, ଭିଡ଼ିଓ ଷ୍ଟ୍ରୀମିଂ ଓ ମାତ୍ର କେଇ ମିନଟରେ ପୁରା ଚଳଚ଼ିତ୍ର ଡ଼ାଉନଲୋଡ଼ର ସୁବିଧା ସୁଯୋଗ ଦୃଶ୍ୟଶ୍ରାବ୍ୟ ବ୍ୟବସାୟବୃଦ୍ଧିରେ ସହାୟକ ହେବ ।


 

ଭାରତରେ ହୁୱାଇକୁ ୫ଜି ଟେଲିଯୋଗାଯୋଗ ସେବା ପରୀକ୍ଷା କରିବା ନିମନ୍ତେ ଅନୁମତି ପ୍ରଦାନକୁ କେତେକସ୍ତରରେ ବିରୋଧ କରାଯାଇଥିଲା ।‘ଟେଲକମ ଇକ୍ୟୁପମେଣ୍ଟ ଏଣ୍ଡ ସର୍ଭିସ ଏକ୍ସପୋର୍ଟ ପ୍ରମୋଶନ କାଉନସିଲ’ ପକ୍ଷରୁ ଏକ ଚ଼ୀନ କମ୍ପାନୀକୁ ଟେଲିଯୋଗାଯୋଗଭଳିସମ୍ୱେଦନଶୀଳ କ୍ଷେତ୍ରରେ ପ୍ରବେଶ ନିମନ୍ତେ ସୁଯୋଗ ନଦିଆଯିବା ନିମନ୍ତେ ଜାତୀୟ ପ୍ରତିରକ୍ଷା ପରାମର୍ଶଦାତାକୁ ପତ୍ର ଲେଖା ଯାଇଥିଲା । ଅପରପକ୍ଷେ ‘ସେଲ୍ୟୁଲର ଅପରେଟରର୍ସ ଏସୋସିଏସନ ଅଫ ଇଣ୍ଡିଆ’ ଏହା ପ୍ରତିବାଦ କରି ତଥ୍ୟାଶ୍ରିତ ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ । ତେବେ ସରକାରୀସ୍ତରରେ ନୀତି ଅପରିବର୍ତ୍ତିତ ରହିଛି ।


 

ହୁୱାଇ ବିଶ୍ୱର ସର୍ବବୃହତ୍ତ ଟେଲିକମ ସରଞ୍ଜାମ ନିର୍ମାତାର ମାନ୍ୟତା ପାଇଥାଏ । ଏହା ସମସୁଙ୍ଗ ପରକୁ ଦ୍ୱିତୀୟ ବୃହତ ମୋବାଇଲ ଫୋନ ନିର୍ମାତା । ହୁୱାଇ ୧୭୦ ଗୋଟି ରାଷ୍ଟ୍ରରେ କାର୍ଯ୍ୟରତ ଏବଂ ଲକ୍ଷେ ଅଶୀ ହଜାର କର୍ମଚ଼ାରୀଙ୍କୁ ନିଯୁକ୍ତ କରିଛି । ଏହାର ୨୧ ଗୋଟି ଗବେଷଣା କେନ୍ଦ୍ର ରହିଛି ଏବଂ ନିଜ ଆୟର ୩୦ ରୁ ୪୦ ପ୍ରତିଶତ ଟେଲିଯୋଗାଯୋଗ କ୍ଷେତ୍ରରେ ମୌଳିକ ଗବେଷଣା ନିମନ୍ତେ ଖର୍ଚ୍ଚ କରିଥାଏ । ହୁୱାଇ ଇଣ୍ଡିଆର ମୁଖ୍ୟ କହନ୍ତି ଯେ ସୁରକ୍ଷା ଦିଗରୁ ୪ଜି ତୁଳନାରେ ୫ଜି ବୈଷୟିକ କୌଶଳ ବହୁ ଆଗରେ । ସବୁଠାରୁ ବଡ଼କଥା ହେଲା ଅନ୍ୟାନ୍ୟ ଟେଲିଯୋଗାଯୋଗ ସରଞ୍ଜାମ ନିର୍ମାତାଙ୍କ ତୁଳନାରେ ହୁୱାଇ ନିଜ ଉତ୍ପାଦ ଶସ୍ତାରେ ବିକ୍ରୀକରେ ଏବଂ ଭାରତର ୪ଜି ନେଟୱାର୍କରେ ତାହାର ପ୍ରାୟ ୩୦ ପ୍ରତିଶତ ଯନ୍ତ୍ରପାତି ବ୍ୟବହୃତ ହେଉଛି ।


 

ଭାରତୀୟ ଟେଲିଯୋଗାଯୋଗ କ୍ଷେତ୍ରରେ ୫ଜି ବୈଷୟିକ କୌଶଳ ଇଣ୍ଟରନେଟର ପରିବ୍ୟାପ୍ତି, ବିଶେଷକରି ଅପହଞ୍ଚ ଅଞ୍ଚଳରେ ଉପସ୍ଥିତି, ଗୁଣାତ୍ମକ ବିକାଶ ଓ ଆଧୁନିକ ଉଦ୍ଭାବନ ଉପଯୋଗରେ ସହାୟକ ହେବ ବୋଲି ଆଶା କରାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏଟିଏଣ୍ଡଟି, ଭେରିଜୋନ, ଟି-ମୋବାଇଲ ଓ ସ୍ପ୍ରିଣ୍ଟ ଭଳି ଟେଲିଯୋଗାଯୋଗ ସେବା ପ୍ରଦାନକାରୀମାନେ ୫ଜି ସେବା ବ୍ୟବସାୟିକସ୍ତରରେ ଉନ୍ମୁକ୍ତ କରିଥିବା ଅବସରରେ ଭାରତରେ ସେହି କ୍ଷେତ୍ରରେ ଘଟଣାକ୍ରମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ।            


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜାନୁୟାରୀ ୨୦୧


ତଥ୍ୟ:



Peermohamed, Alnoor. Making India 5G-ready. Business Standard (Bhubaneswar Edition). December 27, 2018


 

Das Gupta, Surajeet. The future is 5G. Business Standard(Bhubaneswar Edition). November 1, 2018


 

Das Gupta, Surajeet. Indian telecom’s China syndrome. Business Standard (Bhubaneswar Edition). December 19, 2018


 

Das Gupta, Surajeet. DoT plans to be ready for 5G auction by Aug. Business Standard (Bhubaneswar Edition). December 18, 2018


 

Pierce, Joanna Stern. Tech that will change your life in 2019. Business Standard (Bhubaneswar Edition). January 2, 2019


 

No mobile network in 11,000 villages. The Prameya (Odia Daily). January 2, 2019

୫ଜି ରୋଲ-ଆଉଟ

ଭାରତରେ ଅକ୍ଟୋବର ୨୦୨୨ରେ ୫ଜି ଟେଲିଯୋଗାଯୋଗ ସେବା ଆରମ୍ଭ ନିମନ୍ତେ ସେପ୍ଟେମ୍ୱର ୨୦୨୨ ସୁଦ୍ଧା ଜୋରଦାର ପ୍ରସ୍ତୁତିର ସୂଚ଼ନା ମିଳିଥାଏ । ଏଠାରେ ୨୦୧୪ରେ ୪ଜି ସେବା ଆରମ୍ଭ ହେବାପରେ ଦେଶର ସର୍ବତ୍ର ବ୍ୟବହାରଯୋଗ୍ୟ ଅବସ୍ଥାରେ ପହଞ୍ଚିବାଲାଗି ଚାରିରୁ ପାଞ୍ଚ ବର୍ଷ ଲାଗି ଯାଇଥିଲା । କିନ୍ତୁ ୫ଜି ରୋଲ-ଆଉଟ ସମୟସୀମା ଦେଢ଼ରୁ ଦୁଇ ବର୍ଷ ମଧ୍ୟରେ ସୀମାବଦ୍ଧ ରଖିବା ନିମନ୍ତେ ଦୁଇ ପ୍ରମୁଖ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ସଂସ୍ଥା ଜିଓ ଓ ଏୟାରଟେଲ ପ୍ରତିଶୃତିବଦ୍ଧ ।

 

ଭାରତରେ ୫ଜି ସେବା ପ୍ରଦାନ ନିମନ୍ତେ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡ଼ାଫୋନ ଆଇଡ଼ିଆ ଓ ଆଦାନୀ ଗୃପ ମୋଟ ଚାରିଗୋଟି କମ୍ପାନୀ କେନ୍ଦ୍ର ସରକାରଙ୍କଠାରୁ ସ୍ପେକ୍ଟ୍ରମ କ୍ରୟ କରିଛନ୍ତି । ତେବେ ଜିଓ ଓ ଏୟାରଟେଲ ଅକ୍ଟୋବର ୨୦୨୨ରେ ସେବା ଆରମ୍ଭ କରିବା ଘୋଷଣା କରି ଆଗୁଆ ଅଛନ୍ତି । ଜିଓ କହିଛି ଯେ ଦିଲ୍ଲୀ, ମୁମ୍ୱାଇ, କୋଲକତା ଓ ଚ଼େନ୍ନାଇ ଚାରିଗୋଟି ମେଟ୍ରୋରୁ ୫ଜି ସେବା ଆରମ୍ଭ ହୋଇ ୧୮ ମାସ ମଧ୍ୟରେ ଏପ୍ରିଲ ୨୦୨୪ ସୁଦ୍ଧା ଦେଶର ୫,୬୦୦ ସହର, ତାଲୁକ ଓ ତହସିଲରେ ପହଞ୍ଚିବ । ସେହିପରି ଏୟାରଟେଲ ମଧ୍ୟ ମାର୍ଚ୍ଚ ୨୦୨୪ ବେଳକୁ ପାଞ୍ଚହଜାର ସହରାଞ୍ଚଳରେ ସେବା ଯୋଗାଣ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରିଛି ।

 

ଆନ୍ତର୍ଜାତିକସ୍ତରରେ ଭାରତରେ ୫ଜି ରୋଲ-ଆଉଟ ସର୍ବାପେକ୍ଷା କ୍ଷୀପ୍ରତର ହେବା ଆକଳନ କରାଯାଉଛି । ଦେଶରେ ୫ଜି ରୋଲ-ଆଉଟ ବେଳକୁ ବିଶ୍ୱରେ ପ୍ରାୟ ୭୦ ଗୋଟି ରାଷ୍ଟ୍ରରେ ଏହି ଅତ୍ୟାଧୁନିକ ଟେଲିଯୋଗାଯୋଗ ସେବା ଆରମ୍ଭ ହୋଇସାରିଥିବା ସ୍ଥଳେ ୬୯ କୋଟି ୮୦ ଲକ୍ଷ ଉପଭୋକ୍ତା ସୃଷ୍ଟି ହୋଇସାରିଥିବା କୁହାଯାଉଛି । ଗବେଷଣା ସଂସ୍ଥା ‘ଓମେଡ଼ିଆ’ ଆକଳନରେ ୨୦୨୬ ସୁଦ୍ଧା ଭାରତରେ ୩୬ କୋଟି ୯୦ ଲକ୍ଷ ବ୍ୟକ୍ତି ୫ଜି ସେବା ବ୍ୟବହାର କରିବେ । ଚୀନ ଓ ଯୁକ୍ତରାଷ୍ଟ୍ର ଆମେରିକା ପରକୁ ୫ଜି ଉପଭୋକ୍ତା ସଂଖ୍ୟାରେ ଆମ ସ୍ଥାନ ତୃତୀୟରେ ରହିବ ।

 

ଅବଶ୍ୟ ସମୁଦାୟ ଲୋକସଂଖ୍ୟା ତୁଳନାରେ ଭାରତରେ ୫ଜି ବ୍ୟବହାର କମ ରହିବ । ‘ଜିଏସଏମ ଏସୋସିଏସନ’ର ହିସାବରେ ୨୦୨୫ ବେଳକୁ ଭାରତରେ ୫ଜି ସେବା ମାତ୍ର ୩୦ ପ୍ରତିଶତ ଜନସଂଖ୍ୟାଙ୍କୁ ଉପଲବ୍ଧ ହେବାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ୬୩ ପ୍ରତିଶତ, ଚୀନରେ ୫୨ ପ୍ରତିଶତ ଓ ୟୁରୋପରେ ୪୪ ପ୍ରତିଶତ ଜନସାଧାରଣଙ୍କ ନିକଟରେ ପହଞ୍ଚିସାରିଥିବ । ଅର୍ଥାତ, ଦେଶରେ ୫ଜି ସେବା ଗ୍ରହଣକାରୀଙ୍କ ସଂଖ୍ୟା ଉଲ୍ଲେଖନୀୟ ରହିଲେ ସୁଦ୍ଧା ଜନସଂଖ୍ୟା ଅନୁପାତରେ ବିକଶିତ ରାଷ୍ଟ୍ରଗୁଡ଼ିକଠାରୁ ପଛରେହିଁ ରହିବ ।

 

ଆନ୍ତର୍ଜାତିକସ୍ତରରେ ୨ଜି, ୩ଜି ଓ ୪ଜି ସେବା ଆରମ୍ଭ ପରେ ଭାରତରେ ପ୍ରସାର ନିମନ୍ତେ ଦୀର୍ଘ ବର୍ଷ ଲାଗି ଯାଇଥିଲା । ସେହି ଦୃଷ୍ଟିରୁ ୫ଜି ସେବା ତିନି ବର୍ଷ ମଧ୍ୟରେ ଆରମ୍ଭ ହେଉଥିବା ବୈଷୟିକ ପ୍ରଗତିର ସୂଚ଼ନା ଦେଇଥାଏ । ଦେଶରେ ୫ଜି ସେବା ରୋଲ-ଆଉଟ ବେଳକୁ ବହୁ ସଂଖ୍ୟକ ଉପଭୋକ୍ତା ୨ଜି ଓ ୩ଜି ସେବାରେ ଆବଦ୍ଧ ରହିଥିବା ପରିପ୍ରେକ୍ଷୀରେ ସେମାନଙ୍କ ମଧ୍ୟରୁ କେତେକ ୪ଜି ଓ ଅନ୍ୟ କେତେକ ୫ଜି ସେବା ଗ୍ରହଣ କରିବେ ବୋଲି ଆଶା କରାଯାଏ । ଭାରତୀୟ ଟେଲିକମ ନିୟାମକ ‘ଟ୍ରାଇ’ ବିବରଣୀ ଅନୁଯାୟୀ ଜୁଲାଇ ୨୦୨୨ ସୁଦ୍ଧା ସର୍ବଭାରତୀୟସ୍ତରରେ ଟେଲିସାନ୍ଧ୍ରତା ୮୫.୧୧ ପ୍ରତିଶତ ରହିଥିଲା ।

 

ଭାରତରେ ୫ଜି ସେବା କ୍ଷିପ୍ର ହେବା ଆଶା କରାଯିବା ମୂଳରେ ବିଭିନ୍ନ କାରଣ ଦର୍ଶାଯାଉଛି । ୪ଜି ସେବା ଆରମ୍ଭ ବେଳେ ଏହି ସେବା ଗ୍ରହଣ କରିବା ନିମନ୍ତେ ଉପଯୋଗୀ ସ୍ମାର୍ଟଫୋନ ଅଭାବ ରହିଥିଲା । ଜିଓ ବ୍ୟାପକ ମାତ୍ରାରେ ୪ଜି ସଂପ୍ରସାରଣ ନିମନ୍ତେ ନିଜ ପକ୍ଷରୁ ନିର୍ମାତା ଓ ବିକ୍ରେତାଙ୍କ ସହ ବୁଝାମଣା କରିବାକୁ ପଡ଼ିଥିଲା । କିନ୍ତୁ ୫ଜି ସେବା ଆରମ୍ଭ ହେବା ବେଳକୁ ଦେଶରେ ବ୍ୟବହୃତ ସ୍ମାର୍ଟଫୋନ ମଧ୍ୟରୁ ୯.୭୫ ପ୍ରତିଶତ ଏହି ନୂଆସେବା ଆହରଣ କରିବା ନିମନ୍ତେ ସମର୍ଥ । ବଜାରରେ ସ୍ମାର୍ଟଫୋନ ବିକ୍ରୀରେ ୩୦ରୁ ୪୦ ପ୍ରତିଶତ ୫ଜି ସ୍ମାର୍ଟଫୋନ ସାମିଲ ରହୁଥିବା ହିସାବ କରାଯାଏ ।

 

ଦେଶରେ ୫ଜି ସେବା ଆହରଣ ଉପଯୋଗୀ ସ୍ମାର୍ଟଫୋନ ଆନ୍ଧ୍ର ପ୍ରଦେଶରେ ସର୍ବାଧିକ ଉପଲବ୍ଧ । ଦ୍ୱିତୀୟ ସ୍ଥାନରେ ବିହାର ଓ ପରକୁ ଉତ୍ତର ପ୍ରଦେଶ, ରାଜସ୍ଥାନ ଇତ୍ୟାଦି ରହିଥାନ୍ତି । ଏହି ଉଦାହରଣରୁ ୫ଜି ସେବା ସଂପ୍ରସାରଣ କାଳରେ କେବଳ ସହରାଞ୍ଚଳ ଓ ଆର୍ଥିକ ଦିଗରୁ ସ୍ୱଚ୍ଛଳ ଅତ୍ୟାଧୁନିକ ସେବା ନିମନ୍ତେ ଆଗ୍ରହ ପ୍ରକାଶ କରିବେ ବୋଲି ଭାବିବା ଅନୁଚ଼ିତ ମନେହୁଏ । କେତେକ ବିଶେଷଜ୍ଞଙ୍କ ମତରେ ଭାରତରେ ବହୁ ସଂଖ୍ୟକ ୨ଜି ଫିଚ଼ର ଫୋନରୁ ସିଧାସଳଖ ୫ଜି ସ୍ମାର୍ଟଫୋନକୁ ଉନ୍ନୀତ ହୋଇପାରନ୍ତି । ଅତୀତରେ ଟେଲିଭିଜନ ପ୍ରସାରଣକାଳରେ ଅତ୍ୟାଧୁନିକ କାରିଗରୀକୌଶଳର ଲୋକପ୍ରିୟତାର ଉଦାହରଣ ଦେଖିବାକୁ ମିଳିଥିଲା ।

 

ଭାରତରେ ୫ଜି ସେବା ଅନୁକୂଳ ସ୍ମାର୍ଟଫୋନର ସର୍ବନିମ୍ନ ମୂଲ୍ୟ ୧୨ ହଜାରରୁ ୧୫ ହଜାର ଥିବା ସ୍ଥଳେ ୫ଜି ସେବା ଆରମ୍ଭ ହେବା ବର୍ଷକ ମଧ୍ୟରେ ୧୦ ହଜାର ତଳକୁ କମି ଆସିପାରେ ବୋଲି ସ୍ମାର୍ଟଫୋନ ଯନ୍ତ୍ରାଂଶ ‘ଚିପ’ ନିର୍ମାଣକାରୀ ‘କ୍ୱାଲକମ’ର ଅଧ୍ୟକ୍ଷ ରାଜନ ଭଗାଡ଼ିଆ ୨୦୨୨ ସେପ୍ଟେମ୍ୱର ମାସରେ ଆକଳନ କରିଥିଲେ । ତାଙ୍କରି ହିସାବରେ ୨୦୨୩ ସୁଦ୍ଧା ଭାରତରେ ଉତ୍ପାଦିତ ୫୦ ପ୍ରତିଶତ ସ୍ମାର୍ଟଫୋନ ୫ଜି ସେବା ଅନୁକୂଳ ରହିବ । ଆନ୍ତର୍ଜାତିକସ୍ତରରେ ୫ଜି ସ୍ମାର୍ଟଫୋନ ୨୦୧୯ରେ ବଜାରକୁ ଆସିଥିବା ବେଳେ ଭାରତରେ ବର୍ଷକ ମଧ୍ୟରେ ୨୦୨୦ରେ ଉପଲବ୍ଧ ହୋଇଥିଲା ।

 

ସାଧାରଣରେ ଭାରତୀୟ ସ୍ମାର୍ଟଫୋନ ଉପଭୋକ୍ତାମାନେ ଶସ୍ତା ଫୋନ କିଣିଥାନ୍ତି ବୋଲି ବିଶ୍ୱାସ କରାଯାଏ । କିନ୍ତୁ ରାଜନଙ୍କ ମତରେ ଉପଭୋକ୍ତାଗଣ କ୍ରମଶଃ ଭଲ ଡ଼ିସପ୍ଳେ, ଅଧିକ ମେଗା ପିକ୍ସଲଯୁକ୍ତ କ୍ୟାମରା ଓ ମେମୋରିକୁ ଅଗ୍ରାଧିକାର ଦେଉଛନ୍ତି । ନିକଟରେ ୫ଜି ଆରମ୍ଭ ହେଉଥିବା ହେତୁ ଯଥାଶୀଘ୍ର ନୂତନ ଟେକନୋଲଜିରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏତଦ୍ ବ୍ୟତୀତ ୫ଜି ସ୍ମାର୍ଟଫୋନରେ ୪ଜି ପ୍ରସାରଣ ମଧ୍ୟ ୪୦ ପ୍ରତିଶତ ଯାଏଁ ଅଧିକ ବେଗରେ ଡ଼ାଉନଲୋଡ଼ ହେଉଥିବା ସୁବିଧାକୁ ଗୁରୁତ୍ୱ ଦେଉଛନ୍ତି ।

 

ଭାରତରେ ୫ଜି ସେବା ଗ୍ରହଣ ନିମନ୍ତେ ଉପଭୋକ୍ତା ବିଶେଷ ଖର୍ଚ୍ଚାନ୍ତ ନହୋଇପାରନ୍ତି । ସରକାରଙ୍କ ସ୍ପେକ୍ଟ୍ରମ ନିଲାମପରେ ଏକ ବିଶେଷଜ୍ଞ ଗୋଷ୍ଠୀ କହିଥିଲେ ଯେ ଭିତ୍ତିଭୂମି ଖର୍ଚ୍ଚ ଓ ଗ୍ରାହକ ସଂପ୍ରସାରଣ ଲକ୍ଷ୍ୟକୁ ବିଚାରକୁ ନେଲେ ଗ୍ରାହକ ଚାନ୍ଦା ଦଶରୁ ବାର ପ୍ରତିଶତ ବଢ଼ିପାରେ । ହିସାବ ଅନୁଯାୟୀ ୨୦୨୨ ମଧ୍ୟଭାଗ ସୁଦ୍ଧା ଦେଶରେ ଗ୍ରାହକ ହାରାହାରି ମୋବାଇଲ ବ୍ରଡ଼ବ୍ୟାଣ୍ଡ କ୍ରୟ ବାବଦରେ ମାସିକ ୨୦୦ ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ସେଥିରେ ୫ଜି ସେବା ରୂପାନ୍ତର ନିମନ୍ତେ ଅଧିକା ୨୦ ରୁ ୩୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ । ଅନ୍ୟ ଏକ ବିଶେଷଜ୍ଞ ଗୋଷ୍ଠୀଙ୍କ ଯୁକ୍ତି ହେଲା ଗ୍ରାହକ ସଂଖ୍ୟା ବୃଦ୍ଧି ଉଦ୍ୟମକୁ କେନ୍ଦ୍ରକରି ୩ଜି ରୁ ୪ଜି ସେବା ଉନ୍ନୀତ କାଳରେ ଗ୍ରାହକ ଚାନ୍ଦା ବୃଦ୍ଧି ପାଇନଥିବା ତଥା ପ୍ରକାରନ୍ତରେ କମିଥିବା ଉଦାହରଣର ପୁନରାବୃତ୍ତି ହୋଇପାରେ ।

 

ଟେଲିଯୋଗାଯୋଗ କ୍ଷେତ୍ରରେ ୫ଜି ସେବା ପ୍ରଚଳନ ମୁଖ୍ୟତଃ ତିନିଗୋଟି ବୈଶିଷ୍ଟ୍ୟର ସୂତ୍ରଧର ସାଜିବ । ପ୍ରଥମତଃ, ମୋବାଇଲ ବ୍ରଡ଼ବ୍ୟାଣ୍ଡ ପ୍ରସାରଣରେ ବେଗ ବୃଦ୍ଧି ଫଳରେ କନେକସନ, ଡାଉନଲୋଡ଼ ଓ ଆପଲୋଡ଼ ସାଙ୍ଗକୁ ସାମର୍ଥ୍ୟ ବା କାପାସିଟି ବୃଦ୍ଧିରେ ପର୍ଯ୍ୟବସିତ ହେବ । ଦ୍ୱିତୀୟତଃ, କନେକସନରେ ଗୁଣାତ୍ମକ ବୃଦ୍ଧି ଫଳରେ ନେଟୱାର୍କ ହରାଇବା ଭଳି ଅସୁବିଧାରୁ ମୁକ୍ତି ପାଇବା ପରେ ନିର୍ଭରଯୋଗ୍ୟ ଯୋଗାଯୋଗରେ କାର୍ଯ୍ୟ କରିହେବ । ଉଦାହରଣରେ ଦୂରାବସ୍ଥାନରେ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ସମ୍ପାଦନାଠାରୁ ଆରମ୍ଭ କରି ସହରାଞ୍ଚଳରେ ଅବସ୍ଥାପିତ ବିଶେଷଜ୍ଞ ଡ଼ାକ୍ତରଙ୍କ ପରାମର୍ଶରେ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ଅସ୍ତ୍ରୋପଚାର ସମ୍ପାଦନ ଭଳି କାର୍ଯ୍ୟାବଳୀ ସମ୍ଭବପର । ତୃତୀୟତଃ, ୫ଜି  ନେଟୱାର୍କ ଏକକାଳୀନ ବହୁ ସଂଖ୍ୟକ ଉପକରଣ ସହ ସଂଯୋଗ ସ୍ଥାପନରେ ସମର୍ଥ ହେବ । ଉଦାହରଣରେ ଗୃହ ଦ୍ୱାରରେ ତାଲା ମାରିବାଠାରୁ ଆରମ୍ଭ କରି ଯାବତୀୟ ଗୃହ ଉପକରଣ ନିୟନ୍ତ୍ରଣର ସୁବିଧା ମିଳିବ । ଖେଳ ଷ୍ଟାଡ଼ିଅମରେ ହଜାର ହଜାର ଦର୍ଶକ ଉପସ୍ଥିତଥିବା ସ୍ଥଳେ ସମସ୍ତେ ଫୋନ ବ୍ୟବହାର ଲାଗି ସ୍ଥିର କନେକସନ ପାଇ ପାରିବେ ।

 

ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ୫ଜି ଟେଲିଯୋଗାଯୋଗ ବିଘଟନ ସୃଷ୍ଟି କରିବା ସୁନିଶ୍ଚିତ । ଦେଶରେ ୪ଜି ସେବା ପ୍ରଚଳନର ପାଞ୍ଚରୁ ସାତ ବର୍ଷ ମଧ୍ୟରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ଯେଉଁ ସମସ୍ୟା ସମ୍ମୁଖୀନ ହୋଇଥିଲେ ଇଣ୍ଟରନେଟ ପ୍ରସାରଣ ଓ ଆହରଣକ୍ଷେତ୍ରରେ ଗୁଣାତ୍ମକ ଅଭିବୃଦ୍ଧି ହେତୁ ସେହି ସମସ୍ୟାଗୁଡ଼ିକ ଉତ୍କଟ ରୂପ ଧାରଣ କରିବା ଯୁକ୍ତିଯୁକ୍ତ । ଅପରପକ୍ଷେ ଡ଼ିଜିଟାଲ ମଞ୍ଚରେ ଭର୍ଚୁଆଲ ରିଆଲିଟି, ଆଗୁମେଣ୍ଟେଡ଼ ରିଆଲିଟି ଓ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଭଳି ବୈଷୟିକ କୌଶଳ ବ୍ୟବହାରର ସୁଯୋଗ ଉପଭୋକ୍ତାଙ୍କ ରୁଚି ଓ ଅଭ୍ୟାସ ପରିବର୍ତ୍ତନର ସଙ୍କେତ ଦେଇଥାଏ । ସିନେମାର ଆୟ ହାନୀ ଅବସରରେ ଡ଼ିଜିଟାଲ ଗେମର ଆୟବୃଦ୍ଧି ଏକ ଉଦାହରଣ । ୫ଜି ସେବା ପାଠକ, ଦର୍ଶକ ଓ ଶ୍ରୋତାଙ୍କ ପାଇଁ ବ୍ୟକ୍ତିଗତ ଋଚ଼ି ଅନୁଯାୟୀ ବ୍ୟବହାର୍ଯ୍ୟ ଉପାଦାନ କ୍ଳାଉଡ଼ କମ୍ପ୍ୟୁଟିଂ ଯୋଗେ ହାତପାଆନ୍ତାରେ ପହୁଞ୍ଚାଇଦେବା ସଙ୍ଗେ ଉପଭୋକ୍ତାର ଅଂଶଗ୍ରହଣ ‘ଇମେରସିଭ ଏକ୍ସିପିରିଏନ୍ସ’ ଡ଼ିଜିଟାଲ ମଞ୍ଚକୁ ଆକର୍ଷଣୀୟ କରିବାରେ ସହାୟକ ହେବ । ଏହି ପରିବେଶ ନୂତନ ସମୀକରଣର ସୂଚ଼ନା ଦେଇଥାଏ ।             


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୩ ସେପ୍ଟେମ୍ୱର ୨୦୨୨


ତଥ୍ୟ:



Dasgupta. Surajeet. India’s 5G race in the fast lane. Business Standard (Bhubaneswar Edition) September 13, 2022

 

Surajeet Dasgupta’s interview with Rajen Vagadia. Get ready for 5G smartphones in Rs 10,000 range next year. Business Standard (Bhubaneswar Edition) August 13, 2022

 

What is 5G / Qualcomm

 

https://www.qualcomm.com/5g/what-is-5G 

ଗଣମାଧ୍ୟମର ଏକକ ମଞ୍ଚ

ସ୍ମାର୍ଟଫୋନ କ୍ରମଶଃ ଗଣମାଧ୍ୟମର ଏକକ ମଞ୍ଚରୂପେ ଆଦୃତ ହେବାରେ ଲାଗିଛି । ଟେଲିଭିଜନ ଓ ଭିଡ଼ିଓ ସାଙ୍ଗକୁ ମୁଦ୍ରିତ ସମ୍ୱାଦପତ୍ର, ପତ୍ରପତ୍ରିକାର ଡ଼ିଜିଟାଲ ସଂସ୍କରଣ ତଥା ଇଣ୍ଟରନେଟଭିତ୍ତିକ ୱେବ ପ୍ରକାଶନ ଓ ସୋସିଆଲ ମିଡିଆ ସ୍ମାର୍ଟଫୋନ ପରଦାରେ ଉପଲବ୍ଧ । ଫଳତଃ ଏହାର ପ୍ରସାର ଓଲୋକପ୍ରିୟତା ବୃଦ୍ଧି ପାଇବା ସ୍ୱାଭାବିକ ।


 

ଅନଲାଇନ ଡ଼ାଟା ପୋର୍ଟାଲ ‘ଷ୍ଟାଟିଷ୍ଟା’ର ଆକଳନ ଅନୁଯାୟୀ ୨୦୧୬ ସୁଦ୍ଧା ଆମ ଦେଶରେ ୨୮ କୋଟିରୁ ଉର୍ଦ୍ଧ୍ୱ ସ୍ମାର୍ଟଫୋନ ବ୍ୟବହୃତ ହେଉଥିଲା । ୨୦୨୨ ବେଳକୁ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ କୋଟିରେ ପହଞ୍ଚିବା ଆଶା କରାଯାଉଛି । ଅର୍ଥାତ ସ୍ମାର୍ଟଫୋନ କ୍ରମଶଃ ଦେଶର ପ୍ରାୟ ଅର୍ଦ୍ଧେକ କର୍ମଠ ନାଗରିକଙ୍କ ଯୋଗାଯୋଗର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହେବାରେ ଲାଗିଛି ।


 

‘ସାଇବର ମିଡ଼ିଆ ରିସର୍ଚ୍ଚ’ ନାମକ ଇଣ୍ଟରନେଟ ଗତିପ୍ରକୃତି ଅନୁଧ୍ୟାନକାରୀ ଗବେଷଣା ସଂସ୍ଥା ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ସର୍ବଭାରତୀୟସ୍ତରରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ସ୍ମାର୍ଟଫୋନର ବ୍ୟବହାର ଅନ୍ୟ ପ୍ରାନ୍ତ ତୁଳନାରେ କମ । ଜାତୀୟସ୍ତରରେ ମୋବାଇଲଫୋନ ବ୍ୟବହାର କରୁଥିବା ଜନସଂଖ୍ୟାଙ୍କ ମଧ୍ୟରେ ୪୨ ପ୍ରତିଶତ ଉପଭୋକ୍ତା ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି । ଦେଶର ସର୍ବାଧିକ ସ୍ମାର୍ଟଫୋନ ବ୍ୟବହାରକାରୀ ରାଜ୍ୟଗୁଡ଼ିକ ମଧ୍ୟରେ କେରଳ (୬୨%), ଗୁଜରାଟ (୫୬%), ଦିଲ୍ଲୀ, ମହାରାଷ୍ଟ୍ର ଓ ହିମାଚଳ ପ୍ରଦେଶ (ପ୍ରତ୍ୟେକ ୫୨%) ହିସାବ କରାଯାଇଥିବାସ୍ଥଳେ ସର୍ବନିମ୍ନ ସ୍ମାର୍ଟଫୋନ ବ୍ୟବହାରକାରୀ ରାଜ୍ୟଭାବେ ବିହାର (୨୭%), ଆସାମ (୩୦%), ପଶ୍ଚିମ ବଙ୍ଗ (୩୩%), ମଧ୍ୟପ୍ରଦେଶ (୩୩%) ଓ ଓଡ଼ିଶା (୩୪%)ଚ଼ିହ୍ନଟ କରାଯାଇଛି ।


 

ସାକ୍ଷରତା ପ୍ରସାର ସହ ସ୍ମାର୍ଟଫୋନ ବ୍ୟବହାରର ସମୀକରଣ ବା ‘କୋ-ରିଲେସନ’ ଦେଖିବାକୁ ମିଳୁଛି । କେରଳରେ ସର୍ବାଧିକ ସ୍ମାର୍ଟଫୋନ ଉପଭୋକ୍ତା ଥିବାବେଳେ ସେଠାକାର ସାକ୍ଷରତାହାର ୯୪% ଏବଂ ବିହାରରେ ସର୍ବନିମ୍ନ ସ୍ମାର୍ଟଫୋନ ଉପଭୋକ୍ତା ଥିବାବେଳେ ସେଠାକାର ସାକ୍ଷରତାହାର ୬୧%। ଆମ ଓଡ଼ିଶାରେ ସାକ୍ଷରତାହାର ୭୨% ଥିବାବେଳେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ୩୪% ହିସାବ କରାଯାଇଛି ।


 

କୁହାଯାଉଛି ଯେ ସ୍ମାର୍ଟଫୋନ କମ ବ୍ୟବହାର କରୁଥିବା ରାଜ୍ୟଗୁଡ଼ିକରେ ସ୍ଥାନୀୟ ଜନସାଧାରଣଙ୍କ କ୍ରୟ ଶକ୍ତି କମ ଓ ଦେଶାନ୍ତର ଶ୍ରମିକଙ୍କ ସଂଖ୍ୟା ଅଧିକ । ୨୦୧୭ରେ ରିଲାଏନ୍ସ  ଜିଓର ବଜାର ପ୍ରବେଶ ଫଳରେ ସାକ୍ଷରତା ଓ ଅର୍ଥନୀତି ଦୃଷ୍ଟିରୁ ପଛୁଆ ରାଜ୍ୟଗୁଡ଼ିକରେ ସ୍ମାର୍ଟଫୋନ ବ୍ୟବହାର ଲୋକପ୍ରିୟ ହୋଇପାରିଛି । ଗବେଷଣାଲବ୍ଧ ଜ୍ଞାନ ଅନୁଯାୟୀ ୨୦୧୮ ଶେଷ ସୁଦ୍ଧା ପ୍ରଚଳିତ ଧାରାରେ ପରିବର୍ତ୍ତନ ଅର୍ଥାତ ପଛୁଆ ରାଜ୍ୟଗୁଡ଼ିକରେ ସ୍ମାର୍ଟଫୋନ ବ୍ୟବହାର ସଂଖ୍ୟା ବୃଦ୍ଧି ଆଶା କରାଯାଉଛି ।


 

ଇଣ୍ଟରନେଟ ସଂଯୋଗ ପରିବ୍ୟାପ୍ତି  ତଥା ସ୍ମାର୍ଟଫୋନ ବ୍ୟବହାର ଭାରତରେ ସୋସିଆଲ ମିଡ଼ିଆରେ ଉପସ୍ଥିତି ସଂଖ୍ୟା ବଢ଼ାଇବାରେ ଲାଗିଛି । ୨୦୧୬ ସୁଦ୍ଧା ପ୍ରାୟ ୧୭ କୋଟି ଭାରତୀୟ ସୋସିଆଲ ମିଡ଼ିଆ ସଦସ୍ୟଭୁକ୍ତ ଥିବାବେଳେ ୨୦୧୯ ବେଳକୁ ସେମାନଙ୍କ ସଂଖ୍ୟା ୨୬ କୋଟିକୁ ବୃଦ୍ଧି ପାଇବା ହିସାବ କରାଯାଉଛି । ସମଗ୍ର ଜନସଂଖ୍ୟାର ପ୍ରାୟ ଏକ ପଞ୍ଚମାଂଶ ନାଗରିକ ସୋସିଆଲ ମିଡ଼ିଆଜନିତ ଯୋଗାଯୋଗ ବ୍ୟବସ୍ଥାରେ ଅଭ୍ୟସ୍ତ ହେବା ତଥା ଦୀର୍ଘ ସମୟ ବିନିଯୋଗ କରିବା କାରଣରୁ ସେଭଳି ମଞ୍ଚରେ ପ୍ରବାହିତ ମୁଖ୍ୟଧାରାଗୁଡ଼ିକରେ ପ୍ରଭାବିତ ହେବା ସ୍ୱାଭାବିକ । ଅର୍ଥାତ ସୋସିଆଲ ମିଡ଼ିଆ ଆମ ସାମାଜିକ ଜୀବନରେ କ୍ରମଶଃ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଛି ବୋଲି କହିବାକୁ ହେବ ।


 

ନିକଟରେ ସ୍ମାର୍ଟଫୋନ ନିର୍ମାତା ମୋଟୋରୋଲାଙ୍କ ଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର ହାରର୍ଭାଡ଼ ମେଡ଼ିକାଲ ସ୍କୁଲର ମନୋବିଜ୍ଞାନୀଙ୍କ ତତ୍ତ୍ୱାବଧାନରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ଭାରତରେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ନେଇ ଆୟୋଜିତ ଗବେଷଣାରୁ ଚମକପ୍ରଦ ତଥ୍ୟମାନ ଜାଣିବାକୁ ମିଳିଛି । ୧୬ ରୁ ୬୫ ବର୍ଷ ବୟସ୍କ ୪,୪୧୮ ଜଣ ଉପଭୋକ୍ତା ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିଲେ । ଭାରତରେ ୬୫ ପ୍ରତିଶତ ସ୍ମାର୍ଟଫୋନକୁ ସର୍ବଶ୍ରେଷ୍ଠ ବନ୍ଧୁଭାବେ ଗ୍ରହଣ କରୁଥିବାବେଳେ ୪୭ ପ୍ରତିଶତ ପରିବାରର ସଦସ୍ୟ କିମ୍ୱା ବନ୍ଧୁଙ୍କ ତୁଳନାରେ ସ୍ମାର୍ଟଫୋନରେ ସମୟ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି । ଅପରପକ୍ଷେ ୪୮ ପ୍ରତିଶତ ଫୋନ ପରଦାରେ ଅତ୍ୟଧିକ ସମୟ ବିନିଯୋଗ କରୁଥିବା ସଂପର୍କରେ ମଧ୍ୟ ନିଜେ ସଚ଼େତନ । ଏଭଳି ତଥ୍ୟରୁ ସ୍ମାର୍ଟଫୋନ ତାହାର ବ୍ୟବହାରକାରୀଙ୍କୁ କିପରି କବଳିତ କରି ରଖିଛି ବେଶ ଅନୁମାନ କରାଯାଇପାରେ ।


 

ଗଣମାଧ୍ୟମ ଏକରୁ ଅନେକ ନୀତିରେ ପରିଚ଼ାଳିତ ହେଉଥିବାସ୍ଥଳେ ସୋସିଆଲ ମିଡ଼ିଆରେ ଉପଭୋକ୍ତାମାନେ ପରସ୍ପର ମଧ୍ୟରେ ସଂବାଦ, ଅଭିମତ ଓ ତଥ୍ୟ ବିନିମୟର ସୁଯୋଗ ଉପଭୋଗ କରିଥାନ୍ତି।ଏହିଭଳି ପରିବେଶ ଗଣତନ୍ତ୍ରର ବିକାଶ ନିମନ୍ତେ ଉର୍ବର କ୍ଷେତ୍ର ପ୍ରସ୍ତୁତ କରିବା ସଂଭବପର । ତେବେ ନିକଟ ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ କେନିଆର ନିର୍ବାଚ଼ନରେ ପ୍ରାପ୍ତ ସୁବିଧାସୁଯୋଗର ଦୁରୋପଯୋଗ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନକାରତ୍ମକ ଭୂମିକା ଗ୍ରହଣ କରିଥିବା ଅଭିଜ୍ଞତା ମଧ୍ୟ ମିଳିଛି । ଆତଙ୍କବାଦ ଓ ଉଗ୍ର ଜାତିଆଣଭାବ ଉଦ୍ରେକରେ ସୋସିଆଲ ମିଡ଼ିଆର ବ୍ୟବହାର ଆନ୍ତର୍ଜାତିକସ୍ତରରେ ଉଦ୍ବେଗର କାରଣ ପାଲଟିଛି ।


 

ସୋସିଆଲ ମିଡ଼ିଆରେ ଉପଭୋକ୍ତାଙ୍କ ବ୍ୟବହାରିକ ପଦଚ଼ିହ୍ନ ବା ‘ଡ଼ିଜିଟାଲ ଫୁଟପ୍ରିଣ୍ଟ’ ଲିପିବଦ୍ଧ ହୋଇ ରହୁଥିବାସ୍ଥଳେ ସେଭଳି ତଥ୍ୟାବଳୀ ବା ଡ଼ାଟା ଉପଯୋଗରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିତ୍ୱ ବା ‘ସାଇକୋଗ୍ରାଫି’ ପ୍ରସ୍ତୁତ କରି ବ୍ୟବସାୟଠାରୁ ରାଜନୀତି ଯାଏଁ ବିଭିନ୍ନକ୍ଷେତ୍ରରେ ବ୍ୟବହାରର ବୈଧତାକୁ ନେଇ ପ୍ରଶ୍ନ ଉଠୁଛି । ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚ ଫେସବୁକରେ ଉପସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ସାତ କୋଟି ନାଗରିକଙ୍କ ଲିପିବଦ୍ଧ ତଥ୍ୟକୁ ଆଧାରକରି ବ୍ରିଟେନର କେମ୍ୱ୍ରିଜ ଏନାଲିଟିକାପକ୍ଷରୁ ଗତ ନିର୍ବାଚ଼ନରେ ପ୍ରଚ଼ାର ରଣନୀତି ନିର୍ଦ୍ଧାରଣ ସ୍ୱଚ୍ଛ ଗଣତାନ୍ତ୍ରିକ ପ୍ରକ୍ରିୟାରେ କେତେଦୂର ଗ୍ରହଣୀୟ ସେ ସଂପର୍କରେ ବିଚ଼ାର ବିମର୍ଷ ଚାଲିଛି ।


 

ପ୍ରଯୁକ୍ତି ବିଜ୍ଞାନରେ ନୂତନ ଉଦ୍ଭାବନମାନ ନୂତନ ସମ୍ଭାବନାରେ ପର୍ଯ୍ୟବସିତ ହୋଇଥାଏ । ଏଥିରୁ ସୃଷ୍ଟ ସମସ୍ୟାଗୁଡ଼ିକୁ ମୁକାବିଲା କରିବାଲାଗି ଅନୁଶାସନର ଆବଶ୍ୟକତା ପଡିଥାଏ ।୨୦୧୮ ଏପ୍ରିଲ ୨ ତାରିଖରେ ‘ବିଜିନେସ ଷ୍ଟାଣ୍ଡାର୍ଡ଼’ ସଂବାଦପତ୍ରରେ ପ୍ରକାଶିତ ଭାରତୀୟ ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ସାକ୍ଷାତକାରରେ ଇଣ୍ଟରନେଟରେ ବ୍ୟକ୍ତିଗତ, ପାରିବାରିକ, ଆୟ, ସଞ୍ଚୟ, ଚ଼ିକିତ୍ସା ଭଳି ତଥ୍ୟର ଗୋପନୀୟତାକୁ ମନ୍ତ୍ରୀ ପ୍ରାଧାନ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସମ୍ୱିଧାନ, ଫୌଜଦାରୀ ଆଇନ ଓ ଇନଫରମେସନ ଟେକନୋଲଜି ଆକ୍ଟ ସହ ଟେଲିକମ ରେଗୁଲେଟରି ଅଥାରିଟି ଅଫ ଇଣ୍ଡିଆ ମାଧ୍ୟମରେ ଅଧିକାଂଶ ଡ଼ିଜିଟାଲ ସମସ୍ୟାର ସମାଧାନ ସଂଭବପର ।ବି.ଏନ. ଶ୍ରୀକୃଷ୍ଣ କମିଟି ପକ୍ଷରୁ ସୂଚ଼ନା ପ୍ରଯୁକ୍ତି ବିଜ୍ଞାନକ୍ଷେତ୍ରରେ ଅତ୍ୟାଧୁନିକ ଉପଯୋଗଗୁଡ଼ିକ ସଂପର୍କରେ ରିପୋର୍ଟ ଅନୁଯାୟୀ ନୂତନ ଆଇନ ପ୍ରଣୟନ ନିମନ୍ତେ ସରକାରୀ ପଦକ୍ଷେପ ଗ୍ରହଣ କରାଯିବ ।


 

ଆମ ଦେଶରେ ସ୍ମାର୍ଟଫୋନର ବ୍ୟବହାର ବଢ଼ି ଚ଼ାଲିଥିବା, ଉପଭୋକ୍ତାମାନେ ଦୈନିକ ତିନିରୁ ଚ଼ାରିଘଣ୍ଟା ସେଥିରେ ବିତାଉଥିବା ତଥା ସାମାଜିକ, ଅର୍ଥନୀତିକ, ସାଂସ୍କୃତିକ ତଥା ରାଜନୀତିକ କ୍ଷେତ୍ରରେ ପ୍ରଭାବ ପ୍ରମାଣିତ ହୋଇସାରିଥିଲେ ହେଁ ଏଭଳି ମଞ୍ଚର ଉଚ଼ିତ ଉପଯୋଗ ସଂପର୍କରେ ଜନସାଧାରଣରେ ସଚ଼େତନତା ପ୍ରସାର ଉଦ୍ୟମର ଅଭାବ ଅନୁଭୂତ ହୁଏ । ସରକାରୀ ନୀତି ନିୟମ ପ୍ରଣୟନ ତୁଳନାରେ ତାହାର ଉପଯୋଗ ଓ ନାଗରିକ ସଚ଼େତନତା ଦୁରୋପଯୋଗ ରୋକିବାରେ ସମର୍ଥ ହେଉଥିବା ସଂପର୍କରେ ଅଧ୍ୟୟନଗତ ଜ୍ଞାନକୁ କାର୍ଯ୍ୟରେ ପରିଣତ କରାଯାଉନଥିବା ଦୁର୍ଭାଗ୍ୟର ବିଷୟ । ଅନ୍ତତଃପକ୍ଷେ ସ୍ମାର୍ଟଫୋନ ନିର୍ମାତା ଓ ଇଣ୍ଟରନେଟ ସେବା ବିତରକ କମ୍ପାନୀମାନେ ଯଦି ବାଧ୍ୟତାମୂଳକଭାବେ କରପୋରେଟ ସୋସିଆଲ ରେସପନ୍ସବିଲିଟି ଧାରାରେ ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆ ବ୍ୟବହାର ସଂପର୍କରେ ସଚ଼େତନତା ପ୍ରସାର ଉଦ୍ୟମ ଆରମ୍ଭ କରନ୍ତେ ତେବେ ସୁଫଳ ମିଳନ୍ତା । ସାଧାରଣ ଜନତାଙ୍କ ହାତପାଆନ୍ତାରେ ଏକ ଶକ୍ତିଶାଳୀ ଯୋଗାଯୋଗର ମାଧ୍ୟମ ପହୁଞ୍ଚାଇଦେବା ଏବଂ ତାହାର ବ୍ୟବହାର ସଂପର୍କରେ କୌଣସି ତଥ୍ୟ ଅବଗତ ନ କରାଇବା ପରିବେଶ ତ୍ରୁଟିପୂର୍ଣ୍ଣ ମନେହୁଏ ।             


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଏପ୍ରିଲ ୨୦୧

ଇଣ୍ଟରନେଟ ମଞ୍ଚରେ ମୁଦ୍ରିତ ସମ୍ୱାଦପତ୍ରର ଉପସ୍ଥିତି

ଆନ୍ତର୍ଜାତିକସ୍ତରରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ବିଗତ ଦୁଇ ଦଶନ୍ଧି ଧରି କ୍ରମବର୍ଦ୍ଧିଷ୍ଣୁ ଡ଼ିଜିଟାଲ ମଞ୍ଚରେ ସାମିଲ ହୋଇ ଆସୁଥିବା ଲକ୍ଷ୍ୟ କରାଯାଇପାରେ । ବ୍ରିଟେନର ‘ଦି ଇଣ୍ଡିପେଣ୍ଡଣ୍ଟ’ ଭଳି ଦୈନିକ ସମ୍ୱାଦପତ୍ର ମୁଦ୍ରିତ ବଦଳରେ ଡ଼ିଜିଟାଲ ସମ୍ୱାଦପତ୍ରରେ ପରିଣତ ହେଉଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାର ‘ସିଆଟଲ ପୋଷ୍ଟ’ର ମୁଦ୍ରିତ ସଂସ୍କରଣ ଦୈନିକ ବଦଳରେ ସପ୍ତାହରେ ଦୁଇଗୋଟି ସଂସ୍କରଣ ପ୍ରକାଶନରେ ପରିବର୍ତ୍ତିତ ହୋଇଥିବା ଉଦାହରଣର ଅଭାବ ନାହିଁ ।


 

ଭାରତରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ଲୋକପ୍ରିୟ ଓ ଲାଭଜନକ ସ୍ଥିତିରେ ଥିବା ତଥା ଆଞ୍ଚଳିକ ଭାଷାର ସମ୍ୱାଦପତ୍ର ପ୍ରସାର ସଂଖ୍ୟା ବଢ଼ି ଚାଲିଥିଲେ ହେଁ ଇଣ୍ଟରନେଟ ପ୍ରସାର, ସ୍ମାର୍ଟଫୋନ ବ୍ୟବହାର ଓ ଇଣ୍ଟରନେଟ ମଞ୍ଚରେ ଉପଭୋକ୍ତାଙ୍କ ଦୀର୍ଘ ସମୟ ଉପସ୍ଥିତି ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକୁ ନିଜ ନିଜ ଡ଼ିଜିଟାଲ ସଂସ୍କରଣ ପ୍ରତି ଆକୃଷ୍ଟ କରାଇ ଚ଼ାଲିଛି । ପାଠକ ମହଲରେ ପ୍ରଭାତରେ ମୁଦ୍ରିତ ସମ୍ୱାଦପତ୍ରର ଆକର୍ଷଣ ଦିନ ଦ୍ୱିପ୍ରହର ବେଳକୁ ଇଣ୍ଟରନେଟ ମଞ୍ଚ ଆଡକୁ ମୁହାଁଉ ଥିବା ଧାରାରେ ପ୍ରବର୍ତ୍ତିତ ହେବାରେ ଲାଗିଛି ।


 

ଡ଼ିଜିଟାଲ ସମ୍ୱାଦ ମୁଦ୍ରିତ ସମ୍ୱାଦପତ୍ର ସାଙ୍ଗକୁ ସମ୍ୱାଦ ସଂକଳକ ଓ ମୌଳିକ ସମ୍ୱାଦ ପୋର୍ଟାଲଗୁଡ଼ିକ ଦ୍ୱାରା ପ୍ରକାଶିତ ହୋଇଥାଏ । ସମ୍ୱାଦ ୱେବସାଇଟ ସହ ମୋବାଇଲ ଆପ୍ଳିକେସନ ଓ ସୋସିଆଲ ମିଡ଼ିଆ ମଞ୍ଚରେ ପାଠକ ମହଲରେ ଡ଼ିଜିଟାଲ ସମ୍ୱାଦ ପ୍ରସାରଣ କ୍ରମଶଃ ଲୋକପ୍ରିୟ ହେବାରେ ଲାଗିଛି । ପ୍ରଥମତଃ ମୁଦ୍ରିତ ସମ୍ୱାଦପତ୍ରର ବିଷୟବସ୍ତୁ ସ୍ୱତନ୍ତ୍ର ୱେବପୋର୍ଟାଲରେ ପ୍ରକାଶିତ ହେଉଥିବାବେଳେ ଦ୍ୱିତୀୟତଃ ସମ୍ୱାଦ ସଂକଳକ ବା ନିଉଜ ଏଗ୍ରିଗେଟରମାନେ ନିଜ ସାଇଟରେ ବିଭିନ୍ନ ସମ୍ୱାଦ ସଂସ୍ଥାର ପ୍ରକାଶନ ସହ ଲିଙ୍କ ସଂଯୋଗ କରିଥାନ୍ତି । ଅପର ପକ୍ଷରେ ତୃତୀୟତଃ କେତେକ ସଂସ୍ଥା ମୌଳିକ ଭାବେ ନିଜ ପୋର୍ଟାଲ ନିମନ୍ତେ ସଂବାଦ ସଂଗ୍ରହ ଓ ପ୍ରକାଶ ପାଇଁ ଧ୍ୟାନ ଦେଇଥାନ୍ତି ।


 

କ୍ୱାଜ ଇଣ୍ଡିଆ, କୁଇଣ୍ଟ, ସ୍କ୍ରୋଲ ଭଳି ଷ୍ଟାର୍ଟ-ଅପମାନ ମୌଳିକ ଭାବେ ନିଜ ପୋର୍ଟାଲରେ ସମ୍ୱାଦ ପ୍ରକାଶନ କରୁଥିବା ବେଳେ ଫାଷ୍ଟ ପୋଷ୍ଟ, ଇନ ସର୍ଟ, ଡ଼େଲି ହଣ୍ଟ ଭଳି ପୋର୍ଟାଲମାନ ସଂକଳକ ସାଇଟରୂପେ ପ୍ରସିଦ୍ଧି ଲାଭ କରିଛନ୍ତି ।


 

ଆନ୍ତର୍ଜାତିକ ଇଣ୍ଟରନେଟ ସେବା ପ୍ରଯୋଜକ ଗୁଗୁଲ, ଫେସବୁକ, ୟାହୁ ଭଳି ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଭାରତରେ ସେମାନଙ୍କ ବିସ୍ତୃତ ଉପଭୋକ୍ତାଙ୍କ ମଧ୍ୟରେ ସମ୍ୱାଦ ପ୍ରସାରଣରେ ସଂପୃକ୍ତ ରହୁଛନ୍ତି ।


 

ହିନ୍ଦୁସ୍ତାନ ଟାଇମସ ଭଳି କେତେକ ସଂସ୍ଥା ନିଜ ମୁଦ୍ରିତ ସମ୍ୱାଦପତ୍ର ସହ ୱେବ ପୋର୍ଟାଲ ଯୋଡ଼ି ରଖିଥିବାବେଳେ ଦୈନିକ ଜାଗରଣ ଓ ମାଳାୟଳ ମନୋରମା ଭଳି ସଂସ୍ଥା ନିଜ ନିଜ ପୋର୍ଟାଲ ନିମନ୍ତେ ମୌଳିକ ସମ୍ୱାଦ ରଚ଼ନା ବ୍ୟବସ୍ଥା କରିଥିବା ଜଣାଯାଏ ।


 

‘କମସ୍କୋର’ ନାମକ ଇଣ୍ଟରନେଟ ସମ୍ୱାଦ ସମୀକ୍ଷା ସଂସ୍ଥାଦ୍ୱାରା ୨୦୧୬ ଡ଼ିସେମ୍ୱରରେ ପ୍ରକାଶିତ ବିବରଣୀ ଅନୁଯାୟୀ ଆମ ଦେଶରେ ଟାଇମସ ଅଫ ଇଣ୍ଡିଆ, ଇଣ୍ଡିଆନ ଏକ୍ସପ୍ରେସ ଓ ଏନଡ଼ିଟିଭି ଇଣ୍ଟରନେଟ ସମ୍ୱାଦ ମଞ୍ଚରେ ଲୋକପ୍ରିୟତା ଦୃଷ୍ଟିରୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥାନ୍ତି ।


 

ତେବେ ଇଣ୍ଟରନେଟ ମଞ୍ଚରେ ସମ୍ୱାଦ ପ୍ରସାରଣ ଆମ ଦେଶରେ ଏଯାଏଁ ଲାଭଜନକ ବ୍ୟାବସାୟିକ ମଡ଼େଲ ସୃଷ୍ଟି କରିବାରେ ସମର୍ଥ ହୋଇପାରି ନାହିଁ । ଅଧିକାଂଶ ପ୍ରଚ଼େଷ୍ଟା ପାଠକଙ୍କୁ ଆକୃଷ୍ଟ କରାଇବା ଦିଗରେ ସୀମିତ । ଡ଼ିଜିଟାଲ ସମ୍ୱାଦ ସେବା ବିଜ୍ଞାପନ ରାଜସ୍ୱ ଉପରେ ନିର୍ଭରଶୀଳ ରହୁଥିଲେ ହେଁ ଆୟବ୍ୟୟରେ ସମତୁଲ ରକ୍ଷା ସମ୍ଭବପର ହୋଇପାରୁ ନାହିଁ । ଭବିଷ୍ୟତରେ ବ୍ୟାବସାୟିକ ଲାଭ ଆଶା ରଖି ପୁଞ୍ଜିଲଗାଣ କରାଯାଉଛି । ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ସଂଗୃହୀତ ସମ୍ୱାଦଗୁଡ଼ିକର ଡ଼ିଜିଟାଲ ରୂପାନ୍ତରିକରଣରେ ଅଧିକ ବ୍ୟୟଭାର ସହୁ ନଥିବା ହେତୁ ଇଣ୍ଟରନେଟ ମଞ୍ଚରେ ପ୍ରକାଶନ ଜାରୀ ରଖିବା ସହଜ ହେଉଥିବା ଲକ୍ଷ୍ୟ କରାଯାଉଛି ।


 

ଓଡ଼ିଆରେ ବହୁଳ ପ୍ରସାରିତ ସମ୍ୱାଦପତ୍ର ସମ୍ୱାଦ, ସମାଜ ଓ ଧରିତ୍ରୀ ପକ୍ଷରୁ ଇଣ୍ଟରନେଟ ମଞ୍ଚରେ ସମ୍ୱାଦ ପ୍ରସାରଣ ନିମନ୍ତେ ପ୍ରାଥମିକ ପ୍ରଚ଼େଷ୍ଟା ଆରମ୍ଭ ହୋଇସାରିଥିଲେ ହେଁ ଏହି ଦିଗରେ ଉଲ୍ଲେଖନୀୟ କୃତିତ୍ୱ ସମ୍ଭପର ହୋଇପାରି ନାହିଁ । ଆମ ରାଜ୍ୟର ଗ୍ରାମାଞ୍ଚଳର ୬୦ ପ୍ରତିଶତ ମୁଖ୍ୟତଃ ୨୦୧୪ ପରଠାରୁ ଇଣ୍ଟରନେଟ ଉପଭୋକ୍ତା ସାଜିଥିବା ହେତୁ ସେମାନଙ୍କ ମଧ୍ୟରେ ଇଣ୍ଟରନେଟ ମଞ୍ଚରେ ସଂବାଦ ପାଠ ପ୍ରକ୍ରିୟା ଲୋକପ୍ରିୟତା ହାସଲ ସମୟସାପେକ୍ଷ ମନେହୁଏ ।


 

ଭାରତୀୟ ଇଣ୍ଟରନେଟ ମଞ୍ଚରେ ୪୦ ପ୍ରତିଶତରୁ ଅଧିକା ସମୟ ଅଡ଼ିଓ ଓ ଭିଡ଼ିଓ ଦର୍ଶକ ମହଲରେ ଆଦୃତ ହେଉଥିବା ତଥା ଡ଼ାଟା ବ୍ୟବହାର ଦର କମିଆସୁଥିବା ଏବଂ ସ୍ମାର୍ଟଫୋନ ବ୍ୟବହାର ବଢ଼ି ଚ଼ାଲିଥିବା ଅବସରରେ ସମ୍ୱାଦ ପ୍ରଯୋଜନାରେ ଏକ ନୂତନ ସମୀକରଣ ସୃଷ୍ଟି ହେବାକୁ ଯାଉଛି । କେତେକ ସମ୍ୱାଦ ସଂସ୍ଥା ପକ୍ଷରୁ ମିନଟିକିଆ ସମ୍ୱାଦଭିତ୍ତିକ ଭିଡ଼ିଓ ପ୍ରସାରଣର ଉଦାହରଣ ଆରମ୍ଭ ହେଲାଣି । ଆଗାମୀ ୨୦୧୯ ସାଧାରଣ ନିର୍ବାଚ଼ନ ଅବସରରେ ସମ୍ୱାଦ ପ୍ରସାରଣ କ୍ଷେତ୍ରରେ ନୂତନ ପରୀକ୍ଷା ନିରୀକ୍ଷା ଆଶା କରାଯାଉଥିବା ସ୍ଥଳେ ଏଭଳି ସ୍ୱଳ୍ପ ଅବଧିର ସମ୍ୱାଦଭିତ୍ତିକ ଭିଡ଼ିଓ ଲୋକପ୍ରିୟତା ହାସଲ କରିବାରେ ସମର୍ଥ ହୋଇପାରେ ।


 

ବିଶ୍ୱବ୍ୟାପୀ ସମ୍ୱାଦ ପ୍ରସାରଣରେ ସୋସିଆଲ ମିଡ଼ିଆ ପ୍ରମୁଖ ସ୍ଥାନ ଅଧିକାର କରୁଥିବା ହେତୁ ଇଣ୍ଟରନେଟ ମଞ୍ଚରେ ସମ୍ୱାଦ ପ୍ରଯୋଜନା ଓ ପ୍ରସାରଣ ଶୈଳୀକୁ ପ୍ରକାରନ୍ତେ ପ୍ରଭାବିତ କରୁଛି । ରଏଟର ପକ୍ଷରୁ ୨୬ ଗୋଟି ରାଷ୍ଟ୍ରରେ ଆୟୋଜିତ ସର୍ବେକ୍ଷଣ ଆଧାରରେ ୨୦୧୬ ଡ଼ିସେମ୍ୱର ମାସରେ ପ୍ରକାଶିତ ରିପୋର୍ଟରେ ହାରାହରି ଭାବେ ୫୧ ପ୍ରତିଶତ ଉପଭୋକ୍ତା ସୋସିଆଲ ମିଡ଼ିଆ ମଞ୍ଚରୁ ହିଁ ବିଶିଷ୍ଟ ସମ୍ୱାଦଗୁଡ଼ିକ ସଂପର୍କରେ ଅବଗତ ହେଉଥିବା ଦର୍ଶାଯାଇଛି । ଏହି କାରଣରୁ ସମ୍ୱାଦ ପରିବେଷଣର ଢ଼ାଞ୍ଚାରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ।


 

ସର୍ବୋପରି ଟେଲିଭିଜନ ଓ ଇଣ୍ଟରନେଟ ଭିତ୍ତିକ କାର୍ଯ୍ୟକ୍ରମ କ୍ରମଶଃ ମୋବାଇଲ ଫୋନ ପରଦାକୁ ସ୍ଥାନାନ୍ତରିତ ହେଉଥିବା ଅବସରରେ ସମ୍ୱାଦ ପ୍ରଯୋଜନାରେ ଉଭୟ ଟେକ୍ସଟ ଓ ଭିଡ଼ିଓ କ୍ଷେତ୍ରରେ ମୋବାଇଲ ସାମ୍ୱାଦିକତା ଗୁରୁତ୍ୱ ବହନ କରିବା ସ୍ୱାଭାବିକ । ମୋବାଇଲ ଫୋନ ପରଦାରେ ଉପଭୋକ୍ତାଙ୍କ କ୍ଷେତ୍ରରେ ଥରକରେ ଅତି ବେଶୀରେ ଦଶ ମିନଟ ଉପସ୍ଥିତି କାରଣରୁ ସମ୍ୱାଦ ରଚ଼ନା ଓ ଭିଡ଼ିଓ ପ୍ରଯୋଜନାରେ ସଂକ୍ଷିପ୍ତ ଶୈଳୀ ଉପଯୋଗ ଭବିଷ୍ୟତ ବାଣୀ ପର୍ଯ୍ୟାୟରୁ ଖସି ଚଳନ୍ତି ଆବଶ୍ୟକତାରେ ପରିଣତ ହେଲାଣି । ଏହି କ୍ଷେତ୍ରରେ ଦକ୍ଷତା ହାସଲ ମୁଦ୍ରିତ ସଂବାଦପତ୍ରରେ କାର୍ଯ୍ୟରତ ସଂବାଦିକ ଓ ସଂପାଦକମାନଙ୍କ ନିମନ୍ତେ ଏକ ଆହ୍ୱାନ ।              


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୩ ଅକ୍ଟୋବର ୨୦୧

 ‘ଇ- ବୁକ’ର ପ୍ରାସଙ୍ଗିକତା

ଯୋଗାଯୋଗ ‘କମ୍ୟୁନିକେସନ’କ୍ଷେତ୍ରରେ ପ୍ରତ୍ୟେକ ମାଧ୍ୟମ ନିଜର ସ୍ୱତନ୍ତ୍ରତା ଜାହିର କରିଥାଏ । ନିର୍ଦ୍ଦିଷ୍ଟ ମଞ୍ଚ ନିମନ୍ତେ ଉତ୍ପାଦ ପ୍ରଯୋଜନା ଅବସରରେ ତଦ୍ଉପଯୋଗୀ ନୀତିନିୟମ ଅନୁସରଣ କରିବା ବିଧେୟ । ଅନ୍ୟଥା ସଂପୃକ୍ତ ଉତ୍ପାଦର ଗୁଣବତ୍ତା କ୍ଷୁର୍ଣ୍ଣ ଆଶଙ୍କା ରହିଯାଏ ।


 

ଇ-ପୁସ୍ତକ ‘ଇ-ବୁକ’ ପ୍ରସ୍ତୁତି ମୁଦ୍ରିତ-ପୁସ୍ତକ ତୁଳନାରେ ସରଳ ଓ କମ ବ୍ୟୟସାପେକ୍ଷ । ଏହାର ବିତରଣ ପ୍ରକ୍ରିୟା ମଧ୍ୟ ସହଜପ୍ରଦ । ଅତି କମ ସମୟ ମଧ୍ୟରେ ସଂଖ୍ୟାଧିକ ପାଠକଙ୍କ ନିକଟରେ ପୁସ୍ତକଟିଏ ପହୁଞ୍ଚାଇଦେବା ସଂଭବପର । ମୁଦ୍ରିତ ପୁସ୍ତକରେ କାଗଜ, ମଲାଟ ଓ ବନ୍ଧେଇ ତଥା ମୁଦ୍ରଣର ଗୁଣବତ୍ତାରେ ତାରତମ୍ୟ ରହୁଥିବା ସ୍ଥଳେ ଇ-ବୁକ କ୍ଷେତ୍ରରେ କେବଳ ସୃଜନକୁ ଛାଡ଼ି ଅନ୍ୟାନ୍ୟ ସର୍ବୋତ୍ତମ କଳାକୌଶଳ ସାଧାରଣରେ ଉପଲବ୍ଧ । ସର୍ବୋପରି ଇ-ବୁକ ବିକ୍ରୀ ଲାଗି ସୁଲଭ ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରେ ।


 

ମୁଦ୍ରିତ-ପୁସ୍ତକ ଶିଳ୍ପରେ ଆନ୍ତର୍ଜାତିକସ୍ତରରେ ‘ଫିକସନ’ ସହ ‘ନନ-ଫିକସନ’ର ପାଠକୀୟ ଆଦର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ନନ-ଫିକସନ ବିଷୟଭିତ୍ତିକ ପୁସ୍ତକ ପ୍ରକାଶନ ନିମନ୍ତେ ଇ-ବୁକ ଏକ ପ୍ରକୃଷ୍ଟ ମାଧ୍ୟମ । ନନ-ଫିକସନ ଚଳନ୍ତି ସାମାଜିକ ଘଟଣାବଳୀକୁ ନେଇ ପ୍ରସ୍ତୁତ ହେଉଥିବା ତଥା ପାଠକ ମହଲରେ ଏଥିପ୍ରତି ଉତ୍ସୁକତା ହେତୁ ତତ୍କ୍ଷଣାତ ପୁସ୍ତକ ରଚ଼ନା, ପ୍ରସ୍ତୁତି ଓ ବିତରଣ ଗୁରୁତ୍ୱ ବହନ କରିଥାଏ ।ଇ-ବୁକ ନିମନ୍ତେ ବିଷୟ ନିର୍ବାଚ଼ନ, ତଥ୍ୟ ସଂଗ୍ରହ, ଅନୁସନ୍ଧାନ ଓ ସର୍ଜନ ପ୍ରକ୍ରିୟା ସୀମିତ ଅବଧିରେ ସମାପନ କରି କିମ୍ୱା ଏକାଧିକ ଗବେଷକ ଓ ଲେଖକଙ୍କୁ ସଂପୃକ୍ତ କରାଇ ସମକାଳୀନ ଘଟଣାବଳୀ ସଂପର୍କୀତ ଇ-ବୁକ ପ୍ରକାଶନ ଓଡ଼ିଆ ଭାଷାରେ ନନ-ଫିକସନ ସାହିତ୍ୟ ପ୍ରସାରଣ ସହାୟକ ହେବା ଆଶା କରାଯାଇପାରେ ।


 

ସାଂପ୍ରତିକ ଘଟଣାବଳୀ ପ୍ରତି ପାଠକମାନେ ଆଗ୍ରହ ପ୍ରକାଶ କରିଥାନ୍ତି । ମୁଦ୍ରିତ ପୁସ୍ତକ କ୍ଷେତ୍ରରେ ପ୍ରସ୍ତୁତି ଓ ବିତରଣରେ ବିଳମ୍ୱତା କାରଣରୁ କମ ପାଠକ ବିଶିଷ୍ଟ ଭାଷାଗୁଡ଼ିକରେ ବ୍ୟାବସାୟିକ ସଫଳତା ସନ୍ଦେହପୂର୍ଣ୍ଣ ବିବେଚ଼ନା କରାଯାଉଥିବା ସ୍ଥଳେ ଇ-ବୁକ ପ୍ରକାଶନ କ୍ଷେତ୍ରରେ ଅନ୍ତତଃ ସେହି ଦୁଇ ଦିଗରେ ନିର୍ଭର ପ୍ରତିଶୃତି ଆଶା କରାଯାଇପାରେ । ଓଡ଼ିଆ ଭାଷାରେ ପୁରାଣ, ଗଳ୍ପ, ଉପନ୍ୟାସ ଓ ଜ୍ଞାନବର୍ଦ୍ଧକ ପୁସ୍ତକ ସାଙ୍ଗକୁ ନନ-ଫିକସନ ପୁସ୍ତକ ଇ-ବୁକ ପ୍ରକାଶନରେ ଏକ ନୂତନ ସମୀକରଣ ସୃଷ୍ଟି କରିପାରେ ।


 

ଓଡ଼ିଆ ଭାଷାରେ ପୁସ୍ତକ ପାଠକ ସଂଖ୍ୟା ବିଭିନ୍ନ କାରଣରୁ କମ ଥିବା ସ୍ଥଳେ ମୁଦ୍ରିତ ପୁସ୍ତକ ବାର୍ଷିକ ପ୍ରକାଶନ ସଂଖ୍ୟା ବିଚ଼ାରକୁ ନେଲେ ଲେଖକ ସଂଖ୍ୟା ଉତ୍ସାହପ୍ରଦ ମନେହୁଏ । ଓଡ଼ିଆ ପୁସ୍ତକ ସୀମିତ ପ୍ରସାର ନିମନ୍ତେ ସୃଜନ ଦକ୍ଷତା ସହ ବିତରଣଗତ ଅବ୍ୟବସ୍ଥା ଅନେକାଂଶରେ ଦାୟୀ ।ଭଲ ବହି ପଢ଼ିବାକୁ ମିଳିଲେ ପାଠକ ସଂଖ୍ୟା ବଢ଼ିବ ଏବଂ ପାଠକ ସଂଖ୍ୟା ବଢ଼ିଲେ ଭଲ ବହି ପ୍ରସ୍ତୁତ ନିମନ୍ତେ ଲେଖକ ଆଗ୍ରହାନ୍ୱିତ ହେବେ। ଇ-ବୁକ ପ୍ରକାଶନ ଧାରାରେ ବହୁ ସଂଖ୍ୟକ ଲେଖକଙ୍କୁ ବିବିଧ ବିଷୟରେ ବହୁ-ସଂଖ୍ୟକ ପୁସ୍ତକ ରଚ଼ନା ନିମନ୍ତେ ତଥା ସଂଖ୍ୟାଧିକ ପାଠକଙ୍କ ହାତପାଆନ୍ତାରେ ଅଧିକ ସଂଖ୍ୟକ ପୁସ୍ତକ ପହୁଞ୍ଚାଇଦେବା ସୁଯୋଗ ଉପଲବ୍ଧ । ଅତଏବ ଇ-ବୁକ ପ୍ରକାଶନରେ ଯୋଜନାବଦ୍ଧ ଉଦ୍ୟମ ପୁସ୍ତକ ପ୍ରକାଶନଜନିତ ବିଷଚ଼କ୍ର ସୁଧାରିବାରେ ସହାୟକ ହୋଇପାରେ ।


 

ସ୍ମାର୍ଟଫୋନ ପରଦା କ୍ରମଶଃ ସମସ୍ତ ଗଣମାଧ୍ୟମର ଏକକ ମଞ୍ଚ ରୂପେ ଆର୍ବିଭାବ ହୋଇଛି । ଆନ୍ତର୍ଜାତିକ ପ୍ରବାହ ସଙ୍ଗେ ସମତାଳ ରଖି ଓଡ଼ିଶାରେ ମଧ୍ୟ ପାଠକ ଓ ଦର୍ଶକମାନେ ପାଠ୍ୟ, ରେଡ଼ିଓ, ଟେଲିଭିଜନ, ଚଳଚ଼ିତ୍ର ଓ ଇଣ୍ଟରନେଟ ସ୍ମାର୍ଟଫୋନ ପରଦାରେ ଉପଭୋକ୍ତା ସାଜୁଥିବା ଅବସରରେ ବ୍ୟକ୍ତିଗତସ୍ତରରେ ସ୍ମାର୍ଟଫୋନରେ ଦୀର୍ଘ ସମୟ ବିତାଉଥିବା ଦେଖିବାକୁ ମିଳୁଛି । ନିକଟ ଭବିଷ୍ୟତରେ ଏହି ଧାରା ପରିପୁଷ୍ଟ ହେବା ଆକଳନ କରାଯାଉଛି । ଏଣୁ ଇ-ବୁକଗୁଡ଼ିର ସୃଜନ ଓ ଉପସ୍ଥାପନ ଶୈଳୀ ମୋବାଇଲ ଫୋନ ପରଦା ଉପଯୋଗୀ କରାଯିବା ସମୟର ଆହ୍ୱାନ ।


 

ସମ୍ୱାଦପତ୍ର, ପତ୍ରପତ୍ରିକା, ଟେଲିଭିଜନ ଓ ଇଣ୍ଟରନେଟ ଉତ୍ପାଦଗୁଡ଼ିକ ‘ମୋବାଇଲ ଫାଷ୍ଟ’ ଅର୍ଥାତ ସ୍ମାର୍ଟଫୋନ ପରଦାରେ ପଢ଼ିବା କିମ୍ୱା ଦେଖିବା ଉପଯୋଗୀ କରିବା ନିମନ୍ତେ ଉଦ୍ୟମ କରାଯାଉଛି । ଉଦାହରଣରେ ସମ୍ୱାଦପତ୍ରରେ ବର୍ଣ୍ଣିତ ଯେକୌଣସି ଘଟଣାର ବିବରଣୀ ଉପଭୋକ୍ତାମାନେ ପ୍ରଥମେ ମୋବାଇଲ ଫୋନରେ ପଢ଼ିବା ପରେ ହାଇପର ଲିଙ୍କଯୋଗେ ମୂଳ ସମ୍ୱାଦପତ୍ରର ୱେବସାଇଟ ବା ଇ-ପେପରକୁ ବିସ୍ତୃତ ବିବରଣୀ ଜାଣିବାପାଇଁ ଯିବେ ବୋଲି ଧରି ନିଆଯାଉଛି ।ସେହିପରି ଟେଲିଭିଜନ କାର୍ଯ୍ୟକ୍ରମ ବା ଭିଡ଼ିଓର ଝଲକ ମୋବାଇଲ ପରଦାରେ ଦେଖି ମୂଳ ଉତ୍ପାଦପ୍ରତି ଆଗ୍ରାହ୍ୱାନିତ ହେବେ ବୋଲି ବିଚ଼ାର କରାଯାଉଛି । ଏହି ପରିପ୍ରେକ୍ଷୀରେ ଇ-ବୁକ ମୋବଇଲ ପରିଧିରୁ ବର୍ତ୍ତିପାରିବ ନାହିଁ ।


 

ସ୍ମାର୍ଟଫୋନ ପରଦାରେ ପୁସ୍ତକ ପଠନ ଉପଯୋଗୀ ପାଠ୍ୟର ଦୀର୍ଘତା ଓ ରଚ଼ନାଶୈଳୀ ନିର୍ଦ୍ଧାରଣ ପ୍ରତି ଗୁରୁତ୍ୱାରୋପ କରିଥାଏ । ମୋବାଇଲ ପରଦାରେ ବିଭିନ୍ନ କାରଣରୁ ପାଠକ ମୁଦ୍ରିତ ପଠନ ସାମଗ୍ରୀ ତୁଳନାରେ କମ ସମୟ ଅତିବାହିତ କରୁଥିବା ହେତୁ ଇ-ବୁକର ପୃଷ୍ଠା ସୀମିତ ରଖାଯିବା ଆବଶ୍ୟକ । ଇ-ବୁକ ୪୦ ରୁ ୬୦ ପୃଷ୍ଠା ସୀମାରେ ପାଠକୀୟ ଆଗ୍ରହ ଚ଼ରିତାର୍ଥ କରିବ ବୋଲି ଆଶା କରାଯାଇପାରେ ।


 

ସ୍ମାର୍ଟଫୋନର ପରଦାର ଆୟତନକୁ ଲକ୍ଷ୍ୟ ରଖି ରଚ଼ନାଶୈଳୀ ଉପଯୋଗ କରାଯିବା ଉଚ଼ିତ । ବାକ୍ୟ ବା ‘ସେଣ୍ଟେନସ’ଗୁଡ଼ିକ ୧୦ ରୁ ୧୫ ଶବ୍ଦ ମଧ୍ୟରେ ଏବଂ ପ୍ରତ୍ୟେକ ଅନୁଚ୍ଛେଦ ବା ‘ପାରାଗ୍ରାଫ’ ତିନିରୁ ସର୍ବାଧିକ ପାଞ୍ଚଗୋଟି ବାକ୍ୟ ମଧ୍ୟରେ ସୀମିତ ରଖିଲେ ଯାଇ ତାହା ମୋବାଇଲ ପରଦା ପଠନ ଉପଯୋଗୀ ବୋଲି କହିବାକୁ ହେବ । ପାରାଗ୍ରାଫ ଓ ଅଧ୍ୟାୟ ‘ଚ଼ାପ୍ଟର’ ଗଠନ ଅବସରରେ କିପରି ନିର୍ଦ୍ଧିଷ୍ଟ ଚ଼ିନ୍ତା କିମ୍ୱା ଦୃଷ୍ଟିକୋଣ ସନ୍ନିବେଶିତ ହେବ ସେଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ।


 

ଇ-ପାଠ୍ୟ ରଚ଼ନା ଅବସରରେ ବାକ୍ୟ ବିନ୍ୟାସରେ ସଂଯମତାପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ଇଣ୍ଟରନେଟ ପାଠ୍ୟରେ ଅଧିକ କଥାକୁ ଅଳ୍ପରେ କହିବା ସାଙ୍ଗକୁ ଅଳ୍ପ କଥାକୁ ଅଧିକରେ କହିବାକୁ ଆକଟ କରାଯାଇଥାଏ । ଏହାର ଅର୍ଥ ନୁହେଁ  ଯେ ଇଣ୍ଟରନେଟ ପାଠ୍ୟରେ ବର୍ଣ୍ଣନାକୁ ବିରୋଧ କରାଯାଏ । ତେବେ ପ୍ରତି ପାରାଗ୍ରାଫ କିପରି ସୀମିତ ପରିସରରେ ଏକକ ଚ଼ିନ୍ତା‘ସିଙ୍ଗଲ ପଏଣ୍ଟ’ରେ ସୀମାବଦ୍ଧ ରହିବ ସେଥିପ୍ରତି ଦୃଷ୍ଟି ଦିଆଯାଇଥାଏ । ଏହା ପାଠକର ଧୈର୍ଯ୍ୟଚ୍ୟୂତିକୁ ଏଡ଼ାଇ ଦେବାରେ ସାହାଯ୍ୟ କରେ ।


 

ପଠନୀୟ, ସାବଲୀଳ ଓ ପାଠକୀୟ ଦୃଷ୍ଟି ଆକର୍ଷକ ପାଠ୍ୟ ରଚ଼ନା ନିମନ୍ତେ ସୃଜନରେ ଉତ୍କର୍ଷତା ଆବଶ୍ୟକ କରେ । ଚ଼ିନ୍ତା ସଙ୍କୋଚ଼ନ ‘କମ୍ପ୍ରିହେନସନ’ଓ ପୁନଃ ସଂଶୋଧନ ‘ରିଭିଜନ’ପ୍ରକ୍ରିୟା ଉନ୍ନତସ୍ତରରେ ପାଠ୍ୟ ପ୍ରସ୍ତୁତିର ସରଳ ଉପାୟ । ଏଭଳି ରଚ଼ନା ଶୈଳୀ ଅଭ୍ୟାସ ଦ୍ୱାରା ଆୟତ୍ତ କରାଯାଇପାରେ । ପ୍ରବୀଣ ଓ ନବୀନ ଉଭୟ ପର୍ଯ୍ୟାୟର ଲେଖକଙ୍କ ନିମନ୍ତେ ଇ-ବୁକ ରଚ଼ନାଲାଗି ସଚ଼େତ ଅଭ୍ୟାସ ଅପରିହାର୍ଯ୍ୟ ।


 

ଓଡ଼ିଆ ପୁସ୍ତକ ପ୍ରକାଶନ ଶିଳ୍ପରେ ବିଜ୍ଞାପନର ବ୍ୟବହାର ପ୍ରାୟତଃ ନାହିଁ କହିଲେ ଚଳେ । ଇ-ବୁକ ପ୍ରକାଶନ କାଳରେ କୃତୀ ଓ ସ୍ରଷ୍ଟା ଉଭୟକୁ ବିଜ୍ଞାପିତ କରିବା ନିମନ୍ତେ ଉଦ୍ୟମ ଆବଶ୍ୟକ । ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନିମନ୍ତେ ଅନୁସୃତ ବିଜ୍ଞାପନ ପଦ୍ଧତି ଇ-ବୁକ କ୍ଷେତ୍ରରେ ଉପଯୋଗ କରାଯାଇପାରେ । ବିନା ବିଜ୍ଞାପନରେ ବିତରଣ ପ୍ରକ୍ରିୟାରେ ସଫଳତା ପାଇବା ଅସମ୍ଭବବୋଲି ମାନିନେବାକୁ ହିଁ ପଡ଼ିବ ।


 

ଓଡ଼ିଶାରେ ସାକ୍ଷରତା ସହ ସ୍ମାର୍ଟଫୋନ ବ୍ୟବହାର ବ୍ୟାପ୍ତି ଓଡ଼ିଆ ଇ-ବୁକ ପ୍ରକାଶନ ଶିଳ୍ପ ନିମନ୍ତେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛି । ସୀମିତ ସଂଖ୍ୟକ ଶିକ୍ଷିତ ଜନସଂଖ୍ୟା ଓ ଅଳ୍ପ ପାଠକଙ୍କ କାରଣରୁ ମୁଦ୍ରିତ ପୁସ୍ତକ ପ୍ରକାଶନ ଶିଳ୍ପ ଅବହେଳିତ ହୋଇ ପଡ଼ିରହିଥିବାସ୍ଥଳେ ଇଣ୍ଟରନେଟ ମଞ୍ଚ ମାଧ୍ୟମରେ ଅଧିକ ପୁସ୍ତକ ପ୍ରକାଶନ ଓ ଅଧିକ ପାଠକ ସୃଷ୍ଟି ପ୍ରତି ଯୋଜନାବଦ୍ଧ ଉଦ୍ୟମ କରିବାକୁ ପଡ଼ିବ । ଇ-ବୁକ ପ୍ରକାଶନ କ୍ଷେତ୍ରରେ ଉତ୍ସାହୀ ଯୁବ ଉଦ୍ୟୋଗୀଙ୍କ ପକ୍ଷରୁ ବ୍ୟାବସାୟିକ ଉପକ୍ରମ ବା ‘ଷ୍ଟାର୍ଟଅପ’ ଉଦ୍ୟମ ଆଶା କରାଯାଇପାରେ । ଏଦିଗରେ ସେମାନଙ୍କୁ ରାଜ୍ୟର ବଦାନ୍ୟ ବ୍ୟକ୍ତିବିଶେଷ କିମ୍ୱା ଅନୁଷ୍ଠାନ ସହଯୋଗର ବ୍ୟବସ୍ଥା କରିପାରିଲେ ପ୍ରକଳ୍ପ ରୂପାୟନ ସଂପ୍ରସାରିତ ହୋଇପାରିବ ।


 

ଓଡ଼ିଆ ଭାଷାରେ ଡ଼ିଜିଟାଲ ପ୍ରକାଶନ ପରିବେଶ ୨୦୧୮ ସୁଦ୍ଧା ଅବହେଳିତ । ଯତ୍ସାମାନ୍ୟ ଉଦ୍ୟମରେ ସଫଳ ବ୍ୟାବସାୟିକ ଯୋଜନା ଉପଯୋଗ ଦେଖିବାକୁ ମିଳେ ନାହିଁ । ଅଧିକାଂଶ ଉଦ୍ୟମ ପୁରାତନ ମୁଦ୍ରିତ ପୁସ୍ତକର ଡ଼ିଜିଟାଲ ରୂପ ପ୍ରଦାନରେ ସୀମିତ ଥିବା ହେତୁ ନୂତନ ଲେଖକ କିମ୍ୱା ବିସ୍ତୃତ ପାଠକଶ୍ରେଣୀଙ୍କୁ ଆକର୍ଷିତ କରିପାରୁ ନାହିଁ । ଅଭିଜ୍ଞ ଡ଼ିଜିଟାଲ ପ୍ରକାଶକମାନେ ପରିବର୍ତ୍ତିତ ପରିସ୍ଥିତିରେ ନିଜର ଆଭିମୁଖ୍ୟ ବଦଳାଇଲେ ଓଡ଼ିଆ ଇ-ବୁକ ପ୍ରକାଶନ ସମୃଦ୍ଧ ହେବା ଆଶା କରାଯାଇପାରେ ।


 

ଇ-ବୁକ ପ୍ରସାର ଅର୍ଥ ମୁଦ୍ରିତ ପୁସ୍ତକ ବଜାରର ପରିସମାପ୍ତି ବିଚ଼ାର କରିବା ଭ୍ରମାନ୍ତକ । ଗଣମାଧ୍ୟମରେ ପ୍ରତ୍ୟେକ ନୂତନ ପ୍ରବାହ ପାରମ୍ପରିକ ପରିବେଶ ସହ ଖାପ ଖୁଆଇ ସମୃଦ୍ଧ ହୁଏ। ଉଦାହରଣରେ ୨୦୧୮ ସୁଦ୍ଧା ଓଡ଼ିଆ ଭାଷାରେ ଅଧିକାଂଶ ସର୍ଜନଶୀଳ ମୁଦ୍ରିତ ପୁସ୍ତକ ୫୦୦ରୁ ଏକ ହଜାର କିତା ପ୍ରସ୍ତୁତ ହେଉଥିବା ଅବସରରେ ସେହି ଧାରା ଡ଼ିଜିଟାଲ ପ୍ରକାଶନ ପରିବେଶରେ ଅବଶ୍ୟ ବଳବତ୍ତର ରହିବ । ମୁଦ୍ରିତ ପୁସ୍ତକ ସଭ୍ରାନ୍ତ ପାଠକବର୍ଗଙ୍କ ମଧ୍ୟରେ ପୂର୍ବବତ ପ୍ରସାରଣ ଜାରୀ ରହିବ। ତେବେ କ୍ରମବର୍ଦ୍ଧିଷ୍ଣୁ ନବସାକ୍ଷର ପାଠକ ମହଲରେ ଇ-ବୁକଆଦୃତ କରାଇବା ନିମନ୍ତେ ସୁବିଧାସୁଯୋଗ ସୃଷ୍ଟି ଓଡ଼ିଆ ସାହିତ୍ୟର ଅଭିବୃଦ୍ଧିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବବୋଲି ଆଶା କରାଯାଇପାରେ ।               


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁଲାଇ ୨୦୧

କଣ୍ଟେଣ୍ଟ ସବସ୍କ୍ରିପସନ

ଇଣ୍ଟରନେଟରେ ଲେଖା ଓ ଛବିକୁ ‘କଣ୍ଟେଣ୍ଟ’ କୁହାଯାଏ । ଇଣ୍ଟରନେଟର ପ୍ରବେଶ କାଳରେ ସାଧାରଣରେ କଣ୍ଟେଣ୍ଟ ଉପଭୋକ୍ତାମାନଙ୍କ ନିମନ୍ତେ ମାଗଣା ଉପଲବ୍ଧ ଥିଲା । ବିକଶିତ ରାଷ୍ଟ୍ରଗୁଡ଼ିକରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ‘କଣ୍ଟେଣ୍ଟ ସବସ୍କ୍ରିପସନ’ ବା ଗ୍ରାହକ ଚ଼ାନ୍ଦା ସଂଗ୍ରହ ଧାରାଦୃଢ଼ୀଭୂତ ହେବାରେ ଲାଗିଛି।


 

ଇଣ୍ଟରନେଟରେ ସମ୍ୱାଦ, ଅଭିମତ ଓ ଭିଡ଼ିଓ ବିତରଣଧାରାକୁ ଚ଼ାରିଗୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମତଃ କେତେକ କଣ୍ଟେଣ୍ଟ ପାଠକ ବା ଦର୍ଶକଙ୍କ ମଧ୍ୟରେ ମାଗଣାରେ ପ୍ରସାରିତ କରାଯାଇଥାଏ । ଦ୍ୱିତୀୟରେ କେତେକ ସାଇଟରେ କିଛି କଣ୍ଟେଣ୍ଟ ମାଗଣାରେ ଉପଭୋକ୍ତାମାନଙ୍କୁ ପ୍ରଦାନ କରାଯାଉଥିବାବେଳେ ଏହାର ପ୍ରଯୋଜନା ଓ ପରିଚ଼ାଳନା ଖର୍ଚ୍ଚ ବିଜ୍ଞାପନରୁ ଭରଣା ହୋଇଥାଏ । ତୃତୀୟତଃ ଅନ୍ୟ କେତେକ କ୍ଷେତ୍ରରେ କିଛି କଣ୍ଟେଣ୍ଟ ମାଗଣା ଓ କିଛି କଣ୍ଟେଣ୍ଟ ବିକ୍ରୀ କରାଯାଏ । ଚ଼ତୁର୍ଥରେ କଣ୍ଟେଣ୍ଟ କେବଳ ବିକ୍ରୀ ନିମନ୍ତେ ଉଦ୍ଦିଷ୍ଟ ରହିଥାଏ ।


 

ଭାରତରେ ୨୦୧୫ ମସିହା ପରବର୍ତ୍ତୀ ଅବସ୍ଥାରେ ଇଣ୍ଟରନେଟ ବ୍ୟବହାର ଦୃତଗତିରେ ବୃଦ୍ଧିପାଉଥିବା ସ୍ଥଳେ ଫଡ଼େରେସନ ଅଫ ଇଣ୍ଡିଆନ ଚ଼େମ୍ୱର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀ ପକ୍ଷରୁ ପ୍ରକାଶିତ ହିସାବ ଅନୁଯାୟୀ ୨୦୧୬ ମସିହାରେ ଇଣ୍ଟେରନେଟରେ ବିଭିନ୍ନ ମଞ୍ଚରୁ ପ୍ରାୟ ୨୫୦ କୋଟି ଟଙ୍କା ଗ୍ରାହକ ଚ଼ାନ୍ଦା ବାବଦରେ ଆଦାୟ ହୋଇଥିଲା । ସେହି ବର୍ଷ ଡ଼ିଜିଟାଲ ବିଜ୍ଞାପନ କାରବାର ୭ ହଜାର ୭ ଶହ କୋଟି ଟଙ୍କାରେ ପହଞ୍ଚିଥିଲା । ସେଥିମଧ୍ୟରୁ ପ୍ରାୟ ୨ ହଜାର ୫ ଶହ କୋଟି ଟଙ୍କା ଭିଡ଼ିଓ ପ୍ରଦର୍ଶନରେ ବିଜ୍ଞାପନ ଅନ୍ତର୍ଭୁକ୍ତ । ଏଭଳି ପରିସଂଖ୍ୟାନ ଭାରତରେ ଇଣ୍ଟରନେଟ ବ୍ୟବସାୟର ସ୍ଥିତି ଉତ୍ସାହଜନକ ପ୍ରମାଣିତ କରିଥାଏ ।


 

ଆମ ଦେଶରେ ଇଣ୍ଟରନେଟ ସଂଯୋଗ ନିମନ୍ତେ ଡ଼ାଟା ଚ଼ାର୍ଜ ଉଚ୍ଚସ୍ତରରେ ରହିଆସିଥିଲା । ତେବେ ୨୦୧୬ରେ ରିଲାଏନ୍ସ ଜିଓ ୪ଜିର ପ୍ରବେଶ ପରେ ଇଣ୍ଟରନେଟ ଗ୍ରାହକ ଚ଼ାନ୍ଦା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସଂଭବପର ହୋଇପାରିଲା । ଏକ ପକ୍ଷରେ ଡ଼ାଟା ଗ୍ରାହକ ଚ଼ାନ୍ଦା ସମସ୍ତ ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା କମାଇବା ସହ ଅପରପକ୍ଷରେ ଅଧିକରୁ ଅଧିକ ଇଣ୍ଟରନେଟ ଉପଭୋକ୍ତା ସୃଷ୍ଟି ହେବା ସାଙ୍ଗକୁ ଅଧିକରୁ ଅଧିକ ଡ଼ାଟା ବ୍ୟବହାର କରିବା ପରିବେଶ ସୃଷ୍ଟି ହୋଇପାରିଲା । ଆନ୍ତର୍ଜାତିକସ୍ତରରେ ଭାରତରେ ଇଣ୍ଟରନେଟ ପ୍ରସାରଣ ବେଗ, ଜନସଂଖ୍ୟା ତୁଳନାରେ ଆନୁପାତିକ ଉପଭୋକ୍ତା ସଂଖ୍ୟା ଓ ବ୍ୟବହାର ସମୟ ଅବଧି କମ ରହିଆସିଥିଲେ ହେଁ ଏକ ବଡ଼ ସଂଖ୍ୟାରେ ଇଣ୍ଟରନେଟ ଉପଭୋକ୍ତା ସୃଷ୍ଟି ଇଣ୍ଟରନେଟରେ ବିଭିନ୍ନ ମଞ୍ଚର ବିକାଶ ନିମନ୍ତେ ପ୍ରଶସ୍ତ ପଥ ଉନ୍ମୁକ୍ତ ହୋଇପାରିଛି ।


 

ସାଧାରଣରେ ଭାରତରେ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ଗ୍ରାହକ ଚ଼ାନ୍ଦା ମଡ଼େଲ ସଫଳ ହୋଇପାରିବ ନାହିଁ ବୋଲି ଅନେକେ ବିଚ଼ାର କରିଥାନ୍ତି । ଗଣମାଧ୍ୟମ ସମୀକ୍ଷକ ବନିତା କୋହଲି-ଖାଣ୍ଡେକରଙ୍କ ହିସାବରେ ୨୦୧୮ ବେଳକୁ ମୁଦ୍ରଣ ଗଣମାଧ୍ୟମରେ ୩୪ ପ୍ରତିଶତ ରାଜସ୍ୱ ପାଠକଙ୍କ ଗ୍ରାହକ ଚ଼ାନ୍ଦା ବାବଦରେ ସଂଗୃହୀତ ହୋଇଥାଏ । ସେହିପରି ୬୬ ପ୍ରତିଶତ ରାଜସ୍ୱ ଟେଲିଭିଜନ ଓ ୬୯ ପ୍ରତିଶତ ରାଜସ୍ୱ ଚଳଚ଼ିତ୍ର ଶିଳ୍ପ ଦର୍ଶକଙ୍କଠାରୁ ମିଳିଥାଏ । ଏଭଳି ପରିସ୍ଥିତିରେ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ଗ୍ରାହକ ଚ଼ାନ୍ଦା ଆଦାୟର ଭବିଷ୍ୟତ ଉଜ୍ଜଳ ବୋଲି ସେ ଯୁକ୍ତି ବାଢ଼ିଥାନ୍ତି ।


 

୨୦୧୮ ଆରମ୍ଭରେ ଆମ ଦେଶରେ ପ୍ରାୟ ୩୦ ଗୋଟି ମନୋରଞ୍ଜନ ଆପ ପ୍ରଚଳିତ ଥିଲା । ଏଗୁଡ଼ିକ ମଧ୍ୟରୁ ସଂଖ୍ୟାଧିକ ବିଜ୍ଞାପନ ଆଶ୍ରିତ ବିଜିନେସ ମଡ଼େଲରେ ଉପଭୋକ୍ତାଙ୍କୁ ମାଗଣାରେ ସେବା ପ୍ରଦାନ କରୁଥିଲେ । ହଟଷ୍ଟାର ଭଳି କେତେକ ଚ଼୍ୟାନେଲ ହାଇବ୍ରିଡ଼ ମଡ଼େଲରେ କିଛି କାର୍ଯ୍ୟକ୍ରମ ମାଗଣାରେ ଓ କିଛି ସବସ୍କ୍ରିପସନରେ ପ୍ରସାରିତ କରୁଥିଲେ । କିନ୍ତୁ ସେଗୁଡ଼ିକ କ୍ରମଶଃ ନେଟଫ୍ଳିକ୍ସ ବା ଆମେଜନପ୍ରାଇମପରି ସବସ୍କ୍ରିପସନ ମଡ଼େଲକୁ ପରିବର୍ତ୍ତିତ ହେଲେ ବିପୁଳ ରାଜସ୍ୱ ଆଶା କରାଯାଇପାରେ । ବନିତାଙ୍କ ହିସାବ ଅନୁଯାୟୀ ଦେଶର ୩୨ କୋଟି ୨୫ ଲକ୍ଷ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ଉପଭୋକ୍ତା ହାରାହାରି ମାସିକ ଶହେ ଟଙ୍କା କଣ୍ଟେଣ୍ଟ ସବସ୍କ୍ରିପସନରେ ଖର୍ଚ୍ଚ କଲେ ତାହା ୩ ହଜାର ୯ ଶହ କୋଟି ଟଙ୍କାର କଣ୍ଟେଣ୍ଟ ସବସ୍କ୍ରିପସନ ବ୍ୟବସାୟରେ ପର୍ଯ୍ୟବସିତ ହେବ ।


 

ନେଟଫ୍ଳିକ୍ସ ଉଦାହରଣରୁ କୁହାଯାଏ ଯେ ସବସ୍କ୍ରିପସନ ମଡ଼େଲରେ ପରିଚ଼ାଳିତ ଚ଼୍ୟାନେଲ ଉତ୍କୃଷ୍ଟମାନର କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରିବ ଏବଂ ଦର୍ଶକମାନେ ବିଜ୍ଞାପନ ପ୍ରଦର୍ଶନ ବାଧା ରହିତ ପ୍ରସାରଣ ଉପଭୋଗ କରିପାରିବେ । ପୁଣି ଏଭଳି ବ୍ୟବସାୟରେ ନିଶ୍ଚିତ ଲାଭର ଆଶାଥିବା ଯୋଗୁଁ ନିବେଶକମାନେ ଅଧିକ ପୁଞ୍ଜି ବିନିଯୋଗ କରିବେ ଏବଂ ସେହିଭଳି ପରିବେଶ ଉଚ୍ଚ ଧରଣର କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ସହାୟକ ହେବ ।


 

ଅନଲାଇନରେ ବିଜ୍ଞାପନ ଆଶ୍ରିତ ମଞ୍ଚ ପରିଚ଼ାଳନା ଅନେକ କ୍ଷେତ୍ରରେ ବ୍ୟବସାୟିକ ଦୃଷ୍ଟିରୁ କଷ୍ଟକର ହୋଇଥାଏ । ଏହି ସମସ୍ୟା ବିଶ୍ୱବ୍ୟାପୀ ଅନୁଭବ କରାଯାଏ । ଆନ୍ତର୍ଜାତିକସ୍ତରରେ ଅନଲାଇନ ବିଜ୍ଞାପନର ୮୫ ପ୍ରତିଶତ କେବଳ ଗୁଗୁଲ ଓ ଫେସବୁକ ନେଇଯାଆନ୍ତି । ଫଳରେ ଛୋଟମୋଟ ଉଦ୍ୟମ ବିଜ୍ଞାପନ ପାଇବା ଏକରକମ ଅସଂଭବ ହୋଇପଡ଼େ । ଓଡ଼ିଆରେ ଅନଲାଇନ ଉପସ୍ଥିତି ନୈରାଶ୍ୟଜନକ ହେବାର ଏହା ଏକ ବିଶିଷ୍ଟ କାରଣ । ଆମରାଜ୍ୟରେ ସବସ୍କ୍ରିପସନ ମଡ଼େଲ କାର୍ଯ୍ୟକାରୀ ହୋଇପାରିଲେ ହିଁ ରାଜସ୍ୱ ସୃଷ୍ଟି ସଂଭବପର । ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା କମ ହେତୁ ଏଠାରେ ବିଜ୍ଞାପନ ମଡ଼େଲର ସଫଳତା ଆଶା କରାଯାଇ ନପାରେ ।ତେବେ ରାଜ୍ୟରେ ଅନଲାଇନ ପୋର୍ଟଲଗୁଡ଼ିକ ସରକାରୀ ବିଜ୍ଞାପନ ନିର୍ଭରଶୀଳ ହୋଇପଡୁଥିବା ପରିବେଶ ମୁଦ୍ରିତ ସମ୍ୱାଦପତ୍ର ମଡ଼େଲ ପୁନଃ ସଂସ୍ଥାପନ କରିବ ।


 

ଭାରତ ତଥା ଓଡ଼ିଶାରେ ଅନଲାଇନ ସବସ୍କ୍ରିପସନ କାର୍ଯ୍ୟକାରିତା ଲାଗି ଡ଼ିଜିଟାଲ ପେମେଣ୍ଟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅନଲାଇନ ପାଠ୍ୟ ବା ଛବି ର ମୂଲ୍ୟ କମ ରହୁଥିବା କାରଣରୁ ଡ଼ିଜିଟାଲ ପେମେଣ୍ଟ ଭିନ୍ନ ଅନ୍ୟ ବ୍ୟବସ୍ଥା ଉପଯୋଗୀ ହୋଇପାରି ନଥାଏ । ଉଦାହରଣରେ ଗୋଟିଏ ଇ-ପାଠ୍ୟପୁସ୍ତକ ବା ଚଳଚ଼ିତ୍ର ପ୍ରଦର୍ଶନ କରିବା ନିମନ୍ତେ ଯଦି ପ୍ରକାଶକ ବା ପ୍ରଯୋଜକ ଦଶ ଟଙ୍କା ଦାବି କରେ ଡ଼ିଜିଟାଲ ପେମେଣ୍ଟ ଭିନ୍ନ ଅନ୍ୟ କୌଣସି ଉପାୟରେ ତାହା ମୂଳସୂତ୍ରରେ ପହଞ୍ଚି ପାରିବ ନାହିଁ । ରାଜ୍ୟର ଗ୍ରାମାଞ୍ଚଳରେ ଇଣ୍ଟରନେଟ ପ୍ରସାର ସାଙ୍ଗକୁ ଡ଼ିଜିଟାଲ ପେମେଣ୍ଟ ପରିବେଶର କ୍ରମୋନ୍ନତି ଘଟୁଥିବା ଅବସରରେ ୨୦୨୦ରୁ ୨୦୨୫ ମଧ୍ୟରେ ଓଡ଼ିଶାରେ କଣ୍ଟେଣ୍ଟ ସବସ୍କ୍ରିପସନ କ୍ଷେତ୍ରରେ ବ୍ୟାପକ ସୁଯୋଗ ଆଶା କରାଯାଇପାରେ ।                


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୬ ମାର୍ଚ୍ଚ ୨୦୧୮

ଦେୟଯୁକ୍ତ ଡିଜିଟାଲ ସମ୍ୱାଦ ମଞ୍ଚ

ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ଡ଼ିଜିଟାଲ ପରିବେଶରେ ଆତ୍ମପ୍ରକାଶ କରିବା ଅବସରରେ ମୁଖ୍ୟତଃ ଦେୟରହିତ ବ୍ୟାବସାୟିକ ମଡ଼େଲରେ ସମୃଦ୍ଧ ହୋଇଆସିଥିଲେ । ସମ୍ୱାଦପତ୍ର, ରେଡ଼ିଓ ଓ ଟେଲିଭିଜନ ମଞ୍ଚ ବିଜ୍ଞାପନଭିତ୍ତିକ ବ୍ୟାବସାୟିକ ମଡ଼େଲରେ ବିକଶିତ ହୋଇଥିବା ସ୍ଥଳେ ଡ଼ିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟ ସେହି ରାସ୍ତା ଅନୁସରଣ କରିଥିଲେ । ସ୍ୱଳ୍ପ ସଂଖ୍ୟକ ମୌଳିକ ଡିଜିଟାଲ ସମ୍ୱାଦ ମଞ୍ଚ ‘ଡ଼ିଜିଟାଲ ନେଟିଭ’ ଗ୍ରାହକ ଚାନ୍ଦାକୁ ଅଗ୍ରାଧିକାର ଦେଇଥିଲେ ହେଁ ବିଜ୍ଞାପନ ନିର୍ଭରଶୀଳତାକୁ ଏଡ଼ାଇ ଦେଇ ପାରିନଥିଲେ ।


 

ଆନ୍ତର୍ଜାତିକସ୍ତରରେ ବିଂଶ ଶତାଦ୍ଦୀର ଶେଷ ଦଶକରୁ ଆରମ୍ଭ ହୋଇଥିବା ଡ଼ିଜିଟାଲ ସମ୍ୱାଦ ମଞ୍ଚ ପ୍ରବାହ ବିଗତ ତିନି ଦଶକ ଧରି ଅତୁଟ ରହିଛି । ଏହି ସମୟ ସୀମାରେ କେତେଗୋଟି ଘଟଣାକ୍ରମ ଗୁରୁତ୍ୱ ବହନ କରିଥାଏ । ପ୍ରଥମତଃ, ବୈଷୟିକ ଦୃଷ୍ଟିରୁ ଅନଲାଇନ ପରିବେଶ କ୍ରମଶଃ ଶକ୍ତିଶାଳୀ ହେବାରେ ଲାଗିଛି । କୁହାଯାଉଛି ପଚାଶ ବର୍ଷ ତଳର ସୁପର ସମ୍ପ୍ୟୁଟର ଆଜି ସାଧାରଣ ଲୋକଙ୍କ ପକେଟରେ ସ୍ଥାନ ପାଉଛି । ଦ୍ୱିତୀୟତଃ, ଇଣ୍ଟରନେଟର ପ୍ରସାର, ଉପଭୋକ୍ତା ସଂଖ୍ୟା ବୃଦ୍ଧି ଓ ଦୈନନ୍ଦିନଭିତ୍ତିରେ ଦୀର୍ଘ ସମୟଧରି ଅନଲାଇନ ଉପସ୍ଥିତି ଜନଜୀବନର ଏକ ଅପରିହାର୍ଯ୍ୟ ଅଂଶ ପାଲଟିଛି । ତୃତୀୟତଃ, ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦୮ରେ ସୃଷ୍ଟ ଅର୍ଥନୀତିକ ମନ୍ଦାବସ୍ଥା କାରଣରୁ ପାରମ୍ପରିକ ସମ୍ୱାଦ ମଞ୍ଚରେ ବିଶ୍ୱବ୍ୟାପୀ ବିଜ୍ଞାପନ ବ୍ୟୟ କମିବାରେ ଲାଗିଛି ।


 

ଏହି ପରିବେଶରେ ଡ଼ିଜିଟାଲ ସମ୍ୱାଦ ମଞ୍ଚର ଗୁରୁତ୍ୱ ବୃଦ୍ଧି ପାଇବା ସ୍ୱାଭାବିକ । ତେବେ ସୋସିଆଲ ମିଡ଼ିଆ ସହ ସର୍ଚ୍ଚଇଞ୍ଜିନ ଓ ଇ-କମର୍ସର ଲୋକପ୍ରିୟତା ତଥା କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ଉପଭୋକ୍ତାଙ୍କ ଦୈନନ୍ଦିନ ଗତିବିଧିକୁ ତର୍ଜମା କରି ବ୍ୟକ୍ତିଗତସ୍ତରରେ ଲକ୍ଷ୍ୟଭିତ୍ତିକ ବିଜ୍ଞାପନ ପ୍ରଦର୍ଶନ ସୁଯୋଗ କାରଣରୁ ପାରମ୍ପରିକ ମଞ୍ଚରୁ ଡିଜିଟାଲ ମଞ୍ଚକୁ ଅପସାରିତ ବିଜ୍ଞାପନ ବ୍ୟୟ ସମ୍ୱାଦମଞ୍ଚ ଭାଗରେ ପହଞ୍ଚିପାରୁନାହିଁ । ଫଳତଃ ଅନ୍ୟ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସହ ଡିଜିଟାଲ ସମ୍ୱାଦ ମଞ୍ଚର ବିଜ୍ଞାପନଭିତ୍ତିକ ବ୍ୟାବସାୟିକ ମଡ଼େଲ ମଧ୍ୟ ଭୁଷୁଡ଼ି ପଡ଼ିଛି ।


 

ଦୀର୍ଘ ଅଢ଼େଇଶହ ବର୍ଷରୁ ପରିପୁଷ୍ଟ ବିଜ୍ଞାପନଭିତ୍ତିକ ପ୍ରକାଶନ ଧାରାକୁ ବିଜ୍ଞାପନ ଆୟ ଅଭାବରେ ଗ୍ରାହକଚାନ୍ଦା ଆୟ ହିଁ ବିକଳ୍ପ ବିଚାର କରାଯାଇପାରେ । ବ୍ୟାବସାୟିକ ବିଜ୍ଞାପନ ଧାରା ବଦଳାଇ ସାମାଜିକ ବିଜ୍ଞାପନ ‘ଏଡ଼ଭୋଟାରିଆଲ’, ବଦାନ୍ୟତାଭିତ୍ତିକ ଅର୍ଥନୀତି ‘ଫିଲୋନ୍ଥ୍ରପି’ ଏବଂ ସାର୍ବଜନୀନ ପାଣ୍ଠି ‘ପବ୍ଳିକ ଫଣ୍ଡ’ ବ୍ୟବହାର ସାମୟିକ ଆଶ୍ୱସ୍ତି ଆଣିଦେଇ ପାରିଲେ ହେଁ ଦୀର୍ଘମିଆଦୀ ସୂତ୍ରରେ ବ୍ୟବସାୟ ପରିଚାଳନା ସଂଭବପର ନୁହ । ତେବେ ଭାରତରେ ବିଗତ ୨୫ ବର୍ଷ ଧରି ଦେୟ ରହିତ ବିନାମୂଲ୍ୟରେ ଡିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ କରିବା ସୁଯୋଗରେ ଅଭ୍ୟସ୍ତ ପାଠକଶ୍ରେଣୀଙ୍କୁ ଦେୟଯୁକ୍ତ ସେବା ଗ୍ରହଣ ନିମନ୍ତେ ପ୍ରବର୍ତ୍ତାଇବା କଠିନ ଅଭିଯାନ ମନେହୁଏ ।


 

ଗଣମାଧ୍ୟମ ଉପତ୍ୟକାରେ ‘କୋଭିଡ଼-୧୯’ ମହାମାରୀ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ବିଚାର କରାଯାଏ । ଏକପକ୍ଷରେ ମହାମାରୀ-ପୂର୍ବାବସ୍ଥାରେ ପ୍ରଚଳିତ ବ୍ୟାବସାୟିକ ମଡ଼େଲ ଅନ୍ତଃସାରଶୂନ୍ୟ ହୋଇପଡ଼ିଥିବା ସ୍ଥଳେ ମହାମାରୀକାଳରେ ବ୍ୟାପକ ବିଘଟନର ସମ୍ମୁଖୀନ ହୋଇଥିଲା । ଉଦାହରଣରେ ‘ଫଡ଼ରେସନ ଅଫ ଇଣ୍ଡିଆନ ଚ଼େମ୍ୱର ଅଫ କମର୍ସ ଏଣ୍ଡ ଇଣ୍ଡାଷ୍ଟ୍ରୀଜ’ର ହିସାବରେ ୨୦୨୦ରେ ମୁଦ୍ରଣ ଗଣମାଧ୍ୟମର ଆୟ ୩୬ ପ୍ରତିଶତ ହ୍ରାସ ପାଇଥିଲା । ବିଜ୍ଞାପନ ବାବଦରେ ୪୧ ପ୍ରତିଶତ ଏବଂ ପ୍ରସାର ବାବଦରେ ୨୯ ପ୍ରତିଶତ ରାଜସ୍ୱ ହାନୀ ଘଟିଥିଲା ।


 

ମହାମାରୀରେ ଡିଜିଟାଲ ସମ୍ୱାଦ ମଞ୍ଚର ଅଭିବୃଦ୍ଧି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଘଟଣା । ‘ଫିକି’ ରିପୋର୍ଟ ଅନୁଯାୟୀ ୨୦୨୦ରେ ଡିଜିଟାଲ ସମ୍ୱାଦ ମଞ୍ଚରେ ଗ୍ରାହକ ସଂଖ୍ୟା ୩୯ କୋଟି ୮୦ ଲକ୍ଷରୁ ୪୫ କୋଟି ୪୦ ଲକ୍ଷକୁ ବୃଦ୍ଧି ପାଇଥିଲା । ପ୍ରମୁଖ ମୁଦ୍ରିତ ସମ୍ୱାଦପତ୍ର ‘ଦି ଟାଇମ୍ସ ଅଫ ଇଣ୍ଡିଆ’, ‘ଦି ନ୍ୟୂ ଇଣ୍ଡିଆନ ଏକ୍ସପ୍ରେସ’ ଓ ‘ଲାଇଭ ମିଣ୍ଟ’ ୨୦୨୦ରେ ନିଜସ୍ୱ ଡ଼ିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକ ଦେୟଯୁକ୍ତ କରିଥିଲେ । ଆଞ୍ଚଳିକ ଭାଷାର ସମ୍ୱାଦପତ୍ର ମଧ୍ୟରେ ‘ମାତୃଭୂମି’, ‘ମାଳାୟଳା ମନୋରମା’, ‘ଦୈନିକ ଜାଗରଣ’ ଓ ‘ଡେଇଲି ତନ୍ତୀ’ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ । ‘ଦୈନିକ ଭାସ୍କର’ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିଲେ ସୁଦ୍ଧା ଦେୟଯୁକ୍ତ ‘ପେ-ୱାଲ’ ଅପେକ୍ଷାରେ ରହିଥିଲା ।


 

ଦେଶରେ ଦେୟଯୁକ୍ତ ଡିଜିଟାଲ ସମ୍ୱାଦ ମଞ୍ଚ ପ୍ରଚଳନରେ ‘ଦି ହିନ୍ଦୁ’ ଆଗୁଆ ରହିଛି । ମହାମାରୀର ବର୍ଷକ ଆଗରୁ ୨୦୧୯ ଫେବୃୟାରୀ ମାସରୁ ଏହାର ଇ-ପେପର ଦେୟଯୁକ୍ତ ମଡ଼େଲରେ ପ୍ରବର୍ତ୍ତିତ ହୋଇଥିଲା । ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ଇ-ପେପର ଗ୍ରାହକ ସଂଖ୍ୟା ୧୫୦ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଏ । ଅବଶ୍ୟ ୨୦୨୧ ସୁଦ୍ଧା ‘ଦି ହିନ୍ଦୁ’ର ଆୟର ୯୦ପ୍ରତିଶତ ମୁଦ୍ରିତ ଉତ୍ପାଦ ଆଶ୍ରିତ ।


 

ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ଗ୍ରାହକଚାନ୍ଦା ଆୟ ସମୃଦ୍ଧ ହେଉଥିବା ଧାରା ଲକ୍ଷ୍ୟ କରାଯାଏ । ‘ଦି ହିନ୍ଦୁ’ର ଡିଜିଟାଲ ମଞ୍ଚ ଆୟର ୪୭ ପ୍ରତିଶତ ଗ୍ରାହକ ଚାନ୍ଦା ଅନ୍ତର୍ଭୁକ୍ତ ରହିଥିଲା । ବିଜ୍ଞାପନ ଆୟ ୫୩ ପ୍ରତିଶତ ହିସାବ କରାଯାଉଥିବା ସ୍ଥଳେ ଭବିଷ୍ୟତରେ ବିଜ୍ଞାପନ ତୁଳନାରେ ଗ୍ରାହକ ଚାନ୍ଦା ଆୟ ବୃଦ୍ଧି ଘଟିବା ବିଶ୍ୱାସ କରାଯାଏ । ‘ଦି ହିନ୍ଦୁ’ର କର୍ମକର୍ତ୍ତାଙ୍କ ବିଚାରରେ ଡିଜିଟାଲ ସମ୍ୱାଦ ମଞ୍ଚରେ ପହଞ୍ଚୁଥିବା ପାଠକମାନଙ୍କ ମଧ୍ୟରୁ ଶତକଡ଼ା ପାଞ୍ଚ ପ୍ରତିଶତ ଗ୍ରାହକଶ୍ରେଣୀଭୁକ୍ତ ହେଲେ ସ୍ୱାବଲମ୍ୱୀ ବ୍ୟାବସାୟିକ ମଡ଼େଲ ପ୍ରସ୍ତୁତ ହେବା ସମ୍ଭବପର । ‘ଦି ହିନ୍ଦୁ’ର ଇ-ପେପରରେ ପାଠକମାନେ ମାସିକ ୧୦ ଗୋଟି ସମ୍ୱାଦ ବିନାଦେୟରେ ପାଠକରିବା ସୁଯୋଗ ପାଇଥାନ୍ତି । ମହାମାରୀ କାଳରେ ଏହା ୨୦ ଗୋଟି ସମ୍ୱାଦକୁ ବୃଦ୍ଧି ପାଇଥିଲା ।


 

ଗଣମାଧ୍ୟମ ବିଶ୍ଳେଷକମାନଙ୍କ ମତରେ ଦେଶରେ ଡିଜିଟାଲ ସମ୍ୱାଦ ମଞ୍ଚର ଭବିଷ୍ୟତ ଉଜ୍ୱଳ ଥିବା ସତ୍ତ୍ୱେ ମୁଦ୍ରିତ ସମ୍ୱାଦମଞ୍ଚର ଆଧିପତ୍ୟ ବଳବତ୍ତର ରହିଛି । ଅର୍ଥନୀତି ଦୃଷ୍ଟିରୁ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକର ମୋଟ ଆୟର ମାତ୍ର ପାଞ୍ଚ ପ୍ରତିଶତ ଆୟ ଡିଜିଟାଲ ମଞ୍ଚରୁ ଆସିଥାଏ । ଅବଶ୍ୟ ‘ରଏଟର ଇନଷ୍ଟିଟିଉଟ’ର ‘ଡିଜିଟାଲ ନିଉଜ ରିପୋର୍ଟ ୨୦୧୯’ ଅନୁଯାୟୀ ଭାରତରେ ୪୦ ପ୍ରତିଶତ ଯାଏଁ ଡିଜିଟାଲ ସମ୍ୱାଦ ଉପଭୋକ୍ତା ଗ୍ରାହକଶ୍ରେଣୀଭୁକ୍ତ ହେବା ନିମନ୍ତେ ଆଗ୍ରହୀ । ‘ୱାରଲଡ଼ ଇକନୋମିକ ଫୋରମ’ର ୨୦୨୦ ରିପୋର୍ଟରେ ଏହି ସଂଖ୍ୟା ୬୭ ପ୍ରତିଶତ ଆକଳନ କରାଯାଇଥିଲା ।


 

ଭାରତରେ ଡ଼ିଜିଟାଲ ସମ୍ୱାଦ ମଞ୍ଚର ଶୀର୍ଷ ସଂଗଠନ ‘ଡିଜିଟାଲ ନିଉଜ ପବ୍ଳିସର୍ସ ଏସୋସିଏସନ’ର ଅଧ୍ୟକ୍ଷ ତଥା ‘ଦୈନିକ ଭାସ୍କର’ ସମ୍ୱାଦପତ୍ର ଗୃପର ପରିଚାଳନା ନିର୍ଦ୍ଦେଶକ ପବନ ଅଗ୍ରୱାଲଙ୍କ ମତରେ ଡିଜିଟାଲ ସମ୍ୱାଦ ମଞ୍ଚର ଗ୍ରାହକ ବୃଦ୍ଧି ନିମନ୍ତେ ମୁଖ୍ୟତଃ ଡିଜିଟାଲ ସମ୍ୱାଦ ମଞ୍ଚରେ ସମ୍ୱାଦ ପରିବେଷଣରେ ଉତ୍କର୍ଷତା ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ । ସେ ଟିପ୍ପଣୀ ଦେଇଛନ୍ତି ଯେ ଦେଶରେ ଇ-କମର୍ସ ଓ ଓଟିଟି ପ୍ଲାଟଫରମର ଲୋକପ୍ରିୟତା ବଢୁଥିବା ହେତୁ ସାଧାରଣ ଲୋକେ ଡିଜିଟାଲ ମୋଡ଼ରେ ଅର୍ଥଦେଣନେଣରେ ଅଭ୍ୟସ୍ତ ହୋଇସାରିଲେଣି । ଏହି ଅବସରରେ ବ୍ୟବହାରଯୋଗ୍ୟ ଉତ୍ପାଦ ଯୋଗାଇଦେଇ ପାରିଲେ ଡିଜିଟାଲ ସମ୍ୱାଦ ମଞ୍ଚକ୍ଷେତ୍ରରେ ଦୃତ ଅଗ୍ରଗତି ସଂଭବପର ।


 

ମହାମାରୀ କାଳରେ ସମ୍ୱାଦ ଉପଭୋକ୍ତାଗଣ ଅସତ୍ୟ ସମ୍ୱାଦ ‘ଫେକ ନିଉଜ’ ଓ ପ୍ରାୟୋଜିତ ସମ୍ୱାଦ ‘ପେଡ଼ ନିଉଜ’ର ପ୍ରାଦୁର୍ଭାବରେ ଅତିଷ୍ଠ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଏ । ପାରମ୍ପରିକ ସମ୍ୱାଦମଞ୍ଚଗୁଡ଼ିକ ନିଜ ନିଜ ବ୍ୟାବସାୟିକ ମଡ଼େଲର ବିପନ୍ନ ସ୍ଥିତି ହେତୁ ବାଧ୍ୟବାଧକତାରେ ଗୁଣାତ୍ମକ ସମ୍ୱାଦ ପରିବେଷଣରୁ ଦୂରେଇ ଯାଉଥିବା ବିଶ୍ୱାସ । ଏହି ପରିବେଶ ଦେୟଯୁକ୍ତ ଡିଜିଟାଲ ସମ୍ୱାଦ ମଞ୍ଚ ବିକାଶ ନିମନ୍ତେ ଅନୁକୂଳ ବିଚାର କରାଯାଇପାରେ । ବିଶେଷଜ୍ଞଙ୍କ ମତରେ ଏଥିଲାଗି ଦୀର୍ଘକାଳ ପୂର୍ବ ପ୍ରସ୍ତୁତି ଆବଶ୍ୟକ । ତରବରିଆ ଉଦ୍ୟମ ଫସର ଫାଟିବାର ଭୟ ଲାଗି ରହିଥାଏ ।                 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୨୧


ତଥ୍ୟ :


 

Chacko, Bentia. www.bestmediainfo.com. June 7, 2021


 

https://bestmediainfo.com/2021/06/can-paywalls-save-newspapers/

ଇଣ୍ଟରନେଟରେ ଓଡ଼ିଆ ପାଠ୍ୟ

ଆଧୁନିକ ଓଡ଼ିଶା ପ୍ରଦେଶରେ ଏପ୍ରିଲ ମାସରେ ଓଡ଼ିଆ ଭାଷା, ସମାଜ ଓ ସଂସ୍କୃତି ସଂପର୍କରେ ଚ଼ିନ୍ତନ ନିମନ୍ତେ ପ୍ରଶସ୍ତ ଅବକାଶ ସୃଷ୍ଟି ହୋଇଥାଏ । ଉତ୍କଳ ଦିବସ ଓ ବିଷୁବ ସଂକ୍ରାନ୍ତି ଯଥାକ୍ରମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା ଓ ଓଡ଼ିଆ ନୂତନ ବର୍ଷ ଆରମ୍ଭ ତିଥିରେ ଉତ୍ସବାନୁଷ୍ଠାନମାନ ଆୟୋଜିତହୋଇଥାଏ । ଏହି ଅବସରରେ ଓଡ଼ିଆ ଜାତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଂପର୍କରେ ଆଲୋଚ଼ନା ସ୍ୱାଭାବିକ ।


 

ଗ୍ରାମୀଣ ଓଡ଼ିଶାରେ ଦୋଳପୂର୍ଣ୍ଣିମାରେ ନୂତନ ପାଞ୍ଜି ପଢ଼ାଯାଏ ଏବଂ ବିଷୁବ ସଂକ୍ରାନ୍ତିରେ ଠାକୁରଙ୍କଠାରେ ପଣାଭୋଗ ସହ ନବବର୍ଷକୁ ସ୍ୱାଗତ କରାଯାଏ । ଓଡ଼ିଆ ସାମାଜିକ ଜୀବନରେ ବର୍ଷସାରା ପର୍ବପର୍ବାଣୀ ତାଲିକାରେ ଏଭଳି ଉତ୍ସବର ଗୁରୁତ୍ୱ ସୀମିତ ।ଜାକଜମକରେ ଜନ୍ନତିଥି, ନବବର୍ଷ ପାଳନ ସହରୀ ସଭ୍ୟତାର ଅଂଶବିଶେଷ । ଅତଏବ ଏହି ଦୁଇ ଉତ୍ସବ ପାଳନ ନିକଟ ଅତୀତର ପରମ୍ପରା ।


 

ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ନିଜ ତତ୍ତ୍ୱାବଧାନରେ ପ୍ରକାଶିତ ଦୈନିକ ସମ୍ୱାଦପତ୍ର ‘ପ୍ରଜାତନ୍ତ୍ର’ ଓ ‘ଇଷ୍ଟର୍ଣ୍ଣ ଟାଇମସ’, ସାହିତ୍ୟ ପତ୍ରିକା ‘ଝଙ୍କାର’ ତଥା ଶିଶୁକିଶୋର ପତ୍ରିକା ‘ମୀନା ବଜାର’ ପ୍ରକାଶକ ପ୍ରଜାତନ୍ତ୍ର ପ୍ରଚ଼ାର ସମିତି ଆନୁକୂଲ୍ୟରେ କଟକରେ ପ୍ରକାଶନୀ ସଂସ୍ଥା ପରିସରରେ ବିଷୁବ ମିଳନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହା ପ୍ରଜାତନ୍ତ୍ରର ପୁନଃ-ପ୍ରକାଶନ ସ୍ୱାଧୀନୋତ୍ତର ସମୟର ଘଟଣା ।


 

ପ୍ରଜାତନ୍ତ୍ରର ରବିବାସରୀୟ ସଂସ୍କରଣରେ ସାହିତ୍ୟପୃଷ୍ଠା ସାଙ୍ଗକୁ ସପ୍ତାହବ୍ୟାପୀ ଅନ୍ୟ ଦିବସର ସଂସ୍କରଣଗୁଡ଼ିକରେ ବିଭିନ୍ନ ବିଷୟରେ ପୃଷ୍ଠାମାନ ସଂଯୋଜିତ ହେଉଥିଲା । ଝଙ୍କାର ଓ ମୀନାବଜାର ମାସିକ ପତ୍ରିକା ।ଏହି ସବୁ ପ୍ରକାଶନ ସହ ରାଜ୍ୟର ସୃଜନ ସଂପ୍ରଦାୟର ଏକ ବୃହତ ଅଂଶ ନିଜ ନିଜ ରଚ଼ନା ପ୍ରକାଶନ ମଧ୍ୟରେ ସଂପୃକ୍ତ ରହୁଥିଲେ।


 

ପ୍ରଜାତନ୍ତ୍ର ପ୍ରଚ଼ାର ସମିତିର ଏକାଧିକ ଦିନବ୍ୟାପୀ ବିଷୁବ ମିଳନ ଉତ୍ସବକୁ ରାଜ୍ୟର ପ୍ରମୁଖ ଲେଖକମାନେ ନିମନ୍ତ୍ରିତ ହେଉଥିଲେ । ସାହିତ୍ୟ ଆଲୋଚ଼ନା ସହ କବିତା ପାଠୋତ୍ସବ ତଥା ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମର ପ୍ରମୁଖ ଅଂଶବିଶେଷ ରୂପେ ସ୍ଥାନ ପାଉଥିଲା । ମୁଖ୍ୟତଃ କଟକ ଓ ଆଖପାଖ ଉପକୂଳ ଅଞ୍ଚଳର ସାହିତ୍ୟିକମାନେ ଏଥିରେ ଯୋଗଦେଉଥିଲେ ଏବଂ କ୍ରମଶଃ ଏକ ବାର୍ଷିକ ସାହିତ୍ୟିକ ମେଳନ ରୂପେ ଗଢ଼ି ଉଠିଥିଲା ।


 

ପ୍ରଜାତନ୍ତ୍ରର ଉଦ୍ୟମ ଆରମ୍ଭ ପୂର୍ବରୁ କୋଲକତାରେ ବିଷୁବଉତ୍ସବ ଧୂମଧାମରେ ପାଳିତ ହେଉଥିଲା । ସର୍ବଜନୀନ ଦୁର୍ଗାପୂଜା ଭଳି ବିଷୁବ ସଂକ୍ରାନ୍ତି ପାଳନରେ ଆମେ ବଙ୍ଗ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇଛୁ କହିଲେ ଅତ୍ୟୁକ୍ତି ହେବ ନାହିଁ । କଟକ ପରକୁ ରାଜ୍ୟର ଅନ୍ୟାନ୍ୟ ସହରରେ ବିଷୁବ ଉତ୍ସବ ପାଳନ ଆରମ୍ଭ ହୋଇଥିଲା ଏବଂ ଏହି ଅବସରରେ ଓଡ଼ିଆ ସମାଜ, ସାହିତ୍ୟ ଓ ସଂସ୍କୃତି ସଂପର୍କୀତ କାର୍ଯ୍ୟକ୍ରମମାନ ଆୟୋଜନର ସୁଯୋଗ ସୃଷ୍ଟି ହୋଇଥିଲା ।


 

୧୯୩୬ ମସିହାରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତହୋଇଥିଲେ ହେଁ ଗତ ଶତାଦ୍ଦୀର ସପ୍ତମ ଦଶକ ଯାଏଁ ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା ଦିବସ ବିଧିବଦ୍ଧଭାବେ ପାଳିତ ହେଉନଥିଲା । ବେସରକାରୀସ୍ତରରେ କାଁ ଭାଁ ଉତ୍ସବାନୁଷ୍ଠାନ ପାଳନ ଆରମ୍ଭ କରାଯିବାପରେ ସରକାରୀଭାବେ ପାଳନ ନିମନ୍ତେ ଗୁରୁତ୍ୱ ଦିଆଯାଇ ସରକାରୀ ଛୁଟି ଦିବସ ରୂପେ ଘୋଷିତ ହେଲା । ଚଳିତ ଶତାଦ୍ଦୀ ଆରମ୍ଭରୁ ଓଡ଼ିଆ ଟେଲିଭିଜନ ପ୍ରସାରଣ ଓ ଦ୍ୱିତୀୟ ଦଶକରେ ସୋସିଆଲ ମିଡ଼ିଆର ଲୋକପ୍ରିୟତା ପରେ ଉତ୍କଳ ଦିବସ ପାଳନ ଏକ ଜାତୀୟ ଉତ୍ସବରୂପେ ମୁଣ୍ଡ ଟେକିଛି ।


 

ବିବର୍ତ୍ତନଧାରାରେ ମାନବ ସଭ୍ୟତାରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଭାଷାର ଅସ୍ତିତ୍ୱ ଓ ପ୍ରସାର ଆହ୍ୱାନର ସମ୍ମୁଖୀନ ହୋଇ ଆସିଛି । ପ୍ରଯୁକ୍ତି ବିଜ୍ଞାନ ପ୍ରଗତି କାରଣରୁ ଗଣମାଧ୍ୟମ ମଞ୍ଚଗୁଡ଼ିକ କେତେକ ଭାଷାର ପ୍ରସାର ନିମନ୍ତେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରୁଥିବାବେଳେ ଅନ୍ୟ କେତେକ ଭାଷାକୁ ଅବକ୍ଷୟର ଗହ୍ୱର ମଧ୍ୟକୁ ଠେଲି ଦେଉଛି ।


 

ଗଣମାଧ୍ୟମ ଇତିହାସରେ ଲିପି ଉଦ୍ଭାବନପରକୁ ମୁଦ୍ରଣ କଳାକୌଶଳ ପ୍ରସାର ଅନ୍ୟତମ ବିଶିଷ୍ଟ ସୋପାନ । ଊନବିଂଶ ଶତାଦ୍ଦୀର ସପ୍ତମ ଦଶକ ଶେଷାର୍ଦ୍ଧରେ ବ୍ରିଟିଶ ଶାସିତ ଭୌଗଳିକ ଓଡ଼ିଶାରେ ନବ ପ୍ରତିଷ୍ଠିତ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ନିଷ୍ପତ୍ତି ଅବସରରେ ଓଡ଼ିଆ ଭାଷାରେ ମୁଦ୍ରିତ ପୁସ୍ତକ ଅଭାବରୁ ଓଡ଼ିଆ ଭାଷା ବଦଳରେ ସେତେବେଳକାର ପ୍ରଶାସନିକ କେନ୍ଦ୍ର ବଙ୍ଗ ପ୍ରଦେଶର ବଙ୍ଗଳାଭାଷାରେ ଶିକ୍ଷାଦାନ କରିବା ନିମନ୍ତେ ପ୍ରସ୍ତାବ ଚର୍ଚ୍ଚିତ ହୋଇଥିଲା। ସେତେବେଳକୁ ଓଡ଼ିଆ ଭାଷା ସାହିତ୍ୟ ସମୃଦ୍ଧ ଥିଲେ ହେଁ ଓଡ଼ିଶାରେ ମୁଦ୍ରଣ ଯନ୍ତ୍ର ଅଭାବ କାରଣରୁ ମୁଦ୍ରିତ ପୁସ୍ତକର ଅଭାବ ଓଡ଼ିଆ ଭାଷାକୁ ଏଭଳି ଏକ ଅପମାନଜନକ ସ୍ଥିତିରେ ପହୁଞ୍ଚାଇ ଦେଇଥିଲା । ଓଡ଼ିଆ ସାହିତ୍ୟର ଇତିହାସରେ ଏହାକୁ ‘ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ’ ନାମିତ କରାଯାଇଥାଏ । ଇତିହାସ ପୃଷ୍ଠାରେ ତାହାର ବିବରଣୀ ପ୍ରତ୍ୟେକ ଓଡ଼ିଆପ୍ରେମୀଙ୍କ ପାଇଁ ଏକ ରୋମାଞ୍ଚକର ଅନୁଭୂତି ।


 

ଔପନିବେଶିକ ବ୍ରିଟିଶ ପ୍ରଶାସନ ସାଧ୍ୟମତେ ପକ୍ଷପାତିତାରେ ବିଶ୍ୱାସ ନକରୁଥିବା ତଥା ଭାଷାର ସ୍ୱାତନ୍ତ୍ର୍ୟକୁ ସମ୍ମାନ ଦେଉଥିବା କାରଣରୁ ଭୌଗଳିକ ଓଡ଼ିଶାରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ନିଷ୍ପତ୍ତି ବଳବତ୍ତର ରହିଲା । ସରକାରୀ ପଦକ୍ଷେପ ପ୍ରତି ଅନୁକୂଳ ପରିବେଶ ସୃଷ୍ଟି କରିବା ନିମନ୍ତେ କଟକ, ଗଞ୍ଜାମ, ବାଲେଶ୍ୱର ଓ ସମ୍ୱଲପୁର ପ୍ରତ୍ୟେକ ଅଞ୍ଚଳରୁ ଓଡ଼ିଆ ପାଠ୍ୟ ବା ଟେକ୍ସଟ ରଚ଼ନା ନିମନ୍ତେ ଉତ୍ସାହୀମାନେ ଲାଗି ପଡ଼ିଲେ । ଫଳରେ ବିଦ୍ୟାଳୟସ୍ତରରେ ଓଡ଼ିଆଭାଷାରେ ଶିକ୍ଷାଦାନ ସମ୍ଭବପର ହୋଇପାରିଲା ।


 

ଓଡ଼ିଆ ଭାଷାରେ ମୁଦ୍ରିତ ପୁସ୍ତକର ଇତିହାସ ନୈରାଶ୍ୟଜନକ । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ବିଦ୍ୟାଳୟ ନିମନ୍ତେ ପାଠ୍ୟପୁସ୍ତକ ପ୍ରକାଶନରେ ଆରମ୍ଭ ହୋଇଥିବା ଉଦ୍ୟମ ଆଜି ଯାଏଁ ସେଠି ହିଁ ଅଟକି ରହିଛି । ଦୀର୍ଘ ୧୫୦ ବର୍ଷ ମଧ୍ୟରେ ମୋଡ଼ ପରିବର୍ତ୍ତନ ପାଇଁ ଅନେକ ଉଦ୍ୟମ ହୋଇଛି ସତ, ତେବେ କୌଣସିଟିର ଉଲ୍ଲେଖନୀୟ ସଫଳତା ମିଳିପାରିନାହିଁ । ସମକାଳରେ ସାହିତ୍ୟ ଓ ସଂସ୍କୃତି ପ୍ରସାର କ୍ଷେତ୍ରରେ ଅଗ୍ରଣୀ ମାଳାୟଳମ, ତାମିଲ ଓ ତେଲୁଗୁ ଭାଷାରେ ପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶନ ତଥା ସାକ୍ଷରତା ପ୍ରସାରର ଉଦାହରଣ ଓଡ଼ିଆ ଭାଷାରେ ପ୍ରତିବିମ୍ୱିତ ହୋଇପାରି ନାହିଁ ।


 

ଓଡ଼ିଶାରେ ଆଧୁନିକ ସଂସ୍କୃତିକ ବିକାଶ ନିମନ୍ତେ ବହୁ ଅନ୍ତରାୟ ରହିଛି । ୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ ଏଠାକାର ୮୬ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାରବର୍ଗଙ୍କ ମଧ୍ୟରୁ ୫୨ ପ୍ରତିଶତ ଭୂମିହୀନ ଦିନ ମଜୁରିଆ ଓ ୩ ପ୍ରତିଶତରୁ କମ ସ୍ନାତକ ଉପାଧିଧାରୀ ଶିକ୍ଷିତକୁ ନେଇ ଉନ୍ନତ ପ୍ରକାଶନ ଶିଳ୍ପ ନିଶ୍ଚିତ ଭାବେ ବ୍ୟବସାୟିକ ଦୃଷ୍ଟିରୁ ତ୍ରୁଟିପୂର୍ଣ୍ଣ । ତେବେ ଊନବିଂଶ ଶତାଦ୍ଦୀର ସପ୍ତମ ଦଶକ ବେଳକୁ ଓଡ଼ିଶାର ଅବସ୍ଥା କ’ଣ ଥିଲା ଏବଂ ସେତେବେଳକାର ନେତୃସ୍ଥାନୀୟ ଓଡ଼ିଆମାନେ କିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇବାରେ ସମର୍ଥ ହୋଇଥିଲେ ତାହା ଅନୁଶୀଳନ କଲେ ସୃଜନଶୀଳଙ୍କ ନିମନ୍ତେ ଦିଗଦର୍ଶନ ସମ୍ଭବପର ବୋଲି ଆଶା କରାଯାଇପାରେ ।


 

ମୁଦ୍ରଣ କାରିଗରୀ କୌଶଳ ପରକୁ ଚଳଚ଼ିତ୍ର, ରେଡ଼ିଓ ଓ ଟେଲିଭିଜନ ଦ୍ୱାରା ଭାଷା ଓ ସାହିତ୍ୟ ସ୍ଥାୟିତ୍ୱ ଓ ପ୍ରସାର ଯେତିକି ପ୍ରଭାବିତ ହୋଇ ନଥିଲା ବିଗତ ଦୁଇ ଦଶନ୍ଧି ଧରି ଇଣ୍ଟରନେଟର ପ୍ରସାର ସମସ୍ତ ଉପଲବ୍ଧ ଗଣମାଧ୍ୟମର ଏକକ ମଞ୍ଚ ଗଢ଼ିତୋଳି ଏକ ନୂତନ ସମୀକରଣ ସୃଷ୍ଟି କରିଛି । ସଂପ୍ରସାରଣରେ ପଛୁଆ ପଡ଼ିରହିଥିବା ଓଡ଼ିଆ ଭଳି ଭାଷା, ସାହିତ୍ୟ କ୍ଷେତ୍ରରେ ବିଗତ ବିଫଳତାକୁ ଏଡ଼ାଇ ବିସ୍ତୃତ ଲେଖକ ଓ ପାଠକଗୋଷ୍ଠୀ ଗଠନ କରିବାରେ ଏହି ବୈଷୟିକ କାରିଗରୀ କୌଶଳ ଏକ ‘ଲିପ ଫ୍ରଗ’ ପରିବେଶ ସୃଷ୍ଟିକରିବାରେ ସମର୍ଥ ।


 

ଇଣ୍ଟରନେଟ ମଞ୍ଚରେ ଓଡ଼ିଆ ତଥା ତାହାଠାରୁ ଢ଼େର କମ ଭାଷାଭାଷୀ ସମୃଦ୍ଧ ଭାଷାଗୁଡ଼ିକର ବ୍ୟବହାର ନିମନ୍ତେ ସ୍ୱତଃପ୍ରବୃତଭାବେ ବିଭିନ୍ନ ବିଭବ ଆତ୍ମପ୍ରକାଶ କରୁଥିବା ଆନନ୍ଦର ବିଷୟ । ଗୁଗୁଲ, ମାଇକ୍ରୋସଫଟ, ଫେସବୁକ ଓ ୟୁଟ୍ୟୁବ ଭଳି ବୃହତ ପ୍ରତିଷ୍ଠାନମାନ ବ୍ୟବସାୟିକ ଲାଭ ବିଚ଼ାରକୁ ନେଇ ନିଜ ଉତ୍ପାଦଗୁଡ଼ିକୁ ଭାରତୀୟଭାଷା ଉପଯୋଗ କରିବା ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିଚ଼ାଲିଛନ୍ତି ।


 

ଇଣ୍ଟରନେଟ ଏଣ୍ଡ ମୋବାଇଲ ଏସୋସିଏସନ ଅଫ ଇଣ୍ଡିଆ ଓ ଗବେଷଣା ସଂସ୍ଥା କାନ୍ତାର ଆନୁକୂଲ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ୨୦୧୮ ଆରମ୍ଭ ସୁଦ୍ଧା ୪୮ କୋଟି ୧୦ ଲକ୍ଷ ଇଣ୍ଟରନେଟ ଉପଭୋକ୍ତା ହିସାବ କରାଯାଇଛି । ନିକଟ ଭବିଷ୍ୟତରେ ଭାରତୀୟ ଭାଷାଗୁଡ଼ିକରେ ୨୦ କୋଟି ୫୦ ଲକ୍ଷ ନୂତନ ଇଣ୍ଟରନେଟ ଉପଭୋକ୍ତା ସଂଯୁକ୍ତ ହେବେ।୨୦୧୭ରେ ଇଣ୍ଟରନେଟ ମଞ୍ଚରେ ପହଞ୍ଚୁଥିବା ପ୍ରତି ଦଶ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୯ ଜଣ ଭାରତୀୟ ଭାଷା ବ୍ୟବହାରକାରୀ ଅନ୍ତର୍ଭୁକ୍ତ ଥିଲେ । ଏଭଳି ତଥ୍ୟାବଳୀ ଓଡ଼ିଆ ଭାଷାରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଦୃତଗତିରେ ବଢୁଥିବା ତଥା ଏଭଳି ଧାରା ବଳବତ୍ତର ରହିବା ହୃଦବୋଧ ହୋଇଥାଏ ।


 

ତେବେ ବିପୁଳ ସଂଖ୍ୟକ ଭାରତୀୟ ଭାଷାରେ ଉପଭୋକ୍ତାଙ୍କ ନିମନ୍ତେ ଇଣ୍ଟରନେଟ ମଞ୍ଚରେ ଉପଲବ୍ଧ ତଥ୍ୟ ବା ଟେକ୍ସଟ ମଧ୍ୟରୁ ମାତ୍ର ଏକ ପ୍ରତିଶତ ଗଣିତ କରାଯାଉଥିବା ସ୍ଥିତାବସ୍ଥା ବୈଷୟିକ ସମୃଦ୍ଧ ପରିବେଶର ବିରୋଧଭାସ କରିଥାଏ । ଓଡ଼ିଆ ଭାଷାରେ ଇଣ୍ଟରନେଟରେ ଉପଲବ୍ଧ ପାଠ୍ୟ ପରିମାଣ ବିସ୍ମୟକରଭାବେ ସୀମିତ ।


 

ଇଣ୍ଟରନେଟ ମଞ୍ଚରେ ଓଡ଼ିଆ ଭାଷାସାହିତ୍ୟର ଦୁର୍ବଳ ସ୍ଥିତିର ଦୁଇଗୋଟି କାରଣ ଚ଼ିହ୍ନଟ କରାଯାଇପାରେ । ଏକପକ୍ଷରେ ଇଣ୍ଟରନେଟ ମଞ୍ଚରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ଏଯାଏଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ସୃଷ୍ଟି ହୋଇପାରି ନାହିଁ ଏବଂ ଅପରପକ୍ଷରେ ସ୍ଥାନୀୟ ସାହିତ୍ୟିକଗୋଷ୍ଠୀ ମାନସିକସ୍ତରରେ ମୁଦ୍ରଣଯୁଗରୁ ଉନ୍ନୀତ ହୋଇପାରି ନଥିବା ଲକ୍ଷ୍ୟ କରାଯାଇପାରେ । ସ୍ୱାଭାବିକ ଧାରାରେ ଏହି ଦୁଇ ସମସ୍ୟାର କାଳକ୍ରମେ ସମାଧାନ ସଂଭବ ସତ, ତେବେ ଏତାଦୃଶ୍ୟ ଅବହେଳା ଆମକୁ ପ୍ରତିବେଶୀ ଭାଷାସାହିତ୍ୟସହ ଦୌଡ଼ରେ ପଛୁଆ କରିପକାଉଥିବା ଚ଼ିନ୍ତାର ବିଷୟ ।


 

ଇଣ୍ଟରନେଟରେ ଓଡ଼ିଆ ପାଠ୍ୟ ସୃଷ୍ଟି ନିମନ୍ତେ ପ୍ରାଥମିକ ପଦକ୍ଷେପ ସ୍ୱରୂପ ପର୍ଯ୍ୟାପ୍ତ ପରିମାଣରେ ଇ-ବୁକ ପ୍ରକାଶନ ନିମନ୍ତେ ଯତ୍ନବାନ ହେବାକୁ ପଡ଼ିବ । ଇ-ବୁକ ପ୍ରଯୋଜନା ଓ ପ୍ରସାରଣ ମୁଦ୍ରିତ ପୁସ୍ତକ ତୁଳନାରେ ସହଜ ଓ କମ ବ୍ୟୟ ସାପେକ୍ଷ । ଏହି ଧାରାକୁ ଲୋକପ୍ରିୟ କରିବା ନିମନ୍ତେ ବ୍ୟବସାୟିକ ସଂସ୍ଥା ବଦଳରେ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଉଦ୍ୟମ ଅପେକ୍ଷାକୃତ ସୁଫଳ ହେବ ବୋଲି ବିଚ଼ାର କରାଯାଏ। କାରଣ ଭରଚୁଆଲ ପ୍ରକାଶନ ଓ ବିତରଣ ଧାରାରେ ହଠାତ ମୁନାଫା ପାଇବା ସଂଭବପର ନୁହ ।


 

ଇ-ବୁକ ପ୍ରସ୍ତୁତି ନିମନ୍ତେ ସୃଜନ ମହଲରେ ସ୍ୱତନ୍ତ୍ର ପ୍ରସ୍ତୁତି ଜରୁରୀ। ମୁଦ୍ରଣଯୋଗ୍ୟ ପୁସ୍ତକର ଡ଼ିଜିଟାଲ ରୂପଭାବେ ଇ-ବୁକକୁ ଗ୍ରହଣ କରାଯାଇପାରେନା । ବିଷୟ ଚୟନଠାରୁ ଆରମ୍ଭ କରି ପଦ ବିନ୍ୟାସ, ଉପସ୍ଥାପନ ଶୈଳୀ ତଥା କଳେବର ନିର୍ଦ୍ଧାରଣ ବିଭିନ୍ନ କ୍ଷେତ୍ରରେ ମୌଳିକ ନୀତିନିୟମ ଉପଯୋଗ ଆବଶ୍ୟକ ।ସର୍ବୋପରି ଏଭଳି ଉତ୍ପାଦ ମୋବାଇଲ ଫୋନ ପର୍ଦ୍ଦା ଅନୁକୁଳ ହେବାପ୍ରତି ଦୃଷ୍ଟି ଦେବା ବାଞ୍ଚନୀୟ ।


 

ମୁଦ୍ରଣରୁ ଇ-ବୁକ ପ୍ରକାଶନ ପରିବର୍ତ୍ତନ ସନ୍ଧିକାଳରେ ଡ଼ିଜିଟାଲ ପ୍ରିଣ୍ଟ-ଟୁ-ଅର୍ଡ଼ର ମୁଦ୍ରଣ କୌଶଳ ଉପଯୋଗୀ ମନେ କରାଯାଇପାରେ । ପ୍ରିଣ୍ଟ-ଟୁ-ଅର୍ଡ଼ର ଧାରାରେ ପାଣ୍ଡୁଲିପି ପଚ୍ଛଦପଟ୍ଟ ସହ ଇ-ବୁକ ଆକାରରେ ପ୍ରସ୍ତୁତ କରାଯାଏ । ପାଠକମାନଙ୍କ ବରାଦ ମତେ ଏକକିତା ଡ଼ିଜିଟାଲ ପ୍ରିଣ୍ଟ ପୁସ୍ତକ ତତ୍କ୍ଷଣାତ ମୁଦ୍ରଣକରି ଯୋଗାଇ ଦିଆଯାଇଥାଏ । ବ୍ୟବସାୟିକ ହିସାବରେ ଦୁଇଶହ ପୃଷ୍ଠାର ପ୍ରିଣ୍ଟ-ଟୁ-ଅର୍ଡ଼ର ଡ଼ିଜିଟାଲ ପ୍ରିଣ୍ଟ ପୁସ୍ତକର ଦାମ ଅଢ଼େଇ ଶହ ଟଙ୍କା ହିସାବ କରାଯାଇଥିବାସ୍ଥଳେ ଅଣ-ବ୍ୟବସାୟିକ ଉପକ୍ରମରେ କେବଳ କାଗଜ ଓ ଆନୁସଙ୍ଗିକ ଖର୍ଚ୍ଚ ବାବଦରେ ପୁସ୍ତକ କିତା ପିଚ୍ଛା ଏକଶହ ଟଙ୍କା ନିର୍ଦ୍ଧାରଣ କରିବା ସଂଭବପର । କିନ୍ତୁ ଡ଼ିଜିଟାଲ ମୁଦ୍ରଣ ଯନ୍ତ୍ର ଓ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ଦାନ ସୂତ୍ରରେ ମୂଳଧନ ଓ ଆଂଶିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ଭରଣା କରାଯିବା ଆବଶ୍ୟକ ।


 

ସରକାରୀସ୍ତରରେ ଏତାଦୃଶ ଯୋଜନାମାନ କାର୍ଯ୍ୟକାରୀ କରାଯିବା ଉଚ଼ିତ, କିନ୍ତୁ ଅତୀତରେ ସମଧର୍ମୀ ପ୍ରକଳ୍ପମାନ ରୂପାୟନରେ ଅନୁପଯୁକ୍ତ କର୍ମକର୍ତ୍ତା ଚ଼ୟନ, ନିଷ୍ପତିଗ୍ରହଣରେ ଅମଲାତାନ୍ତ୍ରିକ ମନୋଭାବ ପୋଷଣ ତଥା ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଇତ୍ୟାଦି ଅଭିଜ୍ଞତା ଅନୁପଯୁକ୍ତ ମନେହୁଏ । ଓଡ଼ିଆ ସମ୍ୱାଦପତ୍ର ପ୍ରକାଶନୀ ସଂସ୍ଥାଗୁଡ଼ିକ ରାଜନୀତିକ ଲକ୍ଷ୍ୟରେ ପର୍ଯ୍ୟବସିତ ହେଉଥିବା ହେତୁ ଏକାଗ୍ରଚିତ୍ତରେ ଓଡ଼ିଆ ଭାଷାସାହିତ୍ୟ ପ୍ରସାର ଉଦ୍ୟମପ୍ରତି ପଛଘୁଞ୍ଚା ଦେବା ସ୍ୱାଭାବିକ । ସ୍ୱାଧୀନ ଉଦ୍ୟମ ନିମନ୍ତେ ନିବେଶ ଅଭାବ । ବିକଶିତ ରାଷ୍ଟ୍ରଗୁଡ଼ିକରେ ଏସବୁ ସମସ୍ୟାର ସମାଧାନ ପାଇଁ ସମବେତ ଦାନ ସଂଗ୍ରହ ବା ‘କ୍ରାଉଡ଼ ସୋର୍ସିଂ’ଧାରା ବ୍ୟବହୃତ ହେଉଥିବା ସ୍ଥଳେ ଓଡ଼ିଶା କ୍ଷେତ୍ରରେ ତାହା ଫଳବତୀ ହେବା ଆଶା କରାଯାଇନପାରେ ।


 

ସଂଖ୍ୟାଲଘୁ ଉଚ୍ଚଶିକ୍ଷିତ ଓଡ଼ିଆ ଭାଷାଭାଷୀ ପାଠ୍ୟ ଅନ୍ୱେଷଣରେ ଇଂଲିଶ ଭାଷାମୁଖୀ ହେବାରେ ଏକ ବିଶିଷ୍ଟ କାରଣ ଓଡ଼ିଆ ଭାଷାରେ ପର୍ଯ୍ୟାପ୍ତ ପରିମାଣରେ ପାଠ୍ୟ ଅଭାବ । ରାଜ୍ୟରେ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଇଣ୍ଟରନେଟ ମଞ୍ଚ ବିକଶିତ ହେବା ଅବସରରେ ଏହି ଧାରାରେ ଅଧିକରୁ ଅଧିକ ଶିକ୍ଷିତ ଓଡ଼ିଆ ପ୍ରଭାବିତ ହେବାରୁ ରୋକିବାକୁ ହେଲେ ଭରଚୁଆଲସ୍ତରରେ ଓଡିଆ ଭାଷାରେ ଅଧିକ ପାଠ୍ୟ ପ୍ରଯୋଜନା ବାଞ୍ଚନୀୟ ।


 

ନବ ସାକ୍ଷରମାନେ ଓଡ଼ିଆ ଭାଷାରେ ଖୋଜୁଥିବା ସୂଚ଼ନା ଓ ସାହିତ୍ୟ ପାଇପାରିଲେ ଦୁର୍ବଳ ଭାଷାଜ୍ଞାନ କାରଣରୁ ଇଂଲିଶ ଅଭିମୁଖୀ ହେବେ ନାହିଁ । ଭୂଗୋଳ, ଇତିହାସଠାରୁ ଆରମ୍ଭ କରି ଯାନ୍ତ୍ରିକ ବିଜ୍ଞାନ, ଭେଷଜ ଶାସ୍ତ୍ର ସବୁକ୍ଷେତ୍ରରେ ଓଡ଼ିଆ ଭାଷାରେ ଯତ୍ ସାମାନ୍ୟ ରଚ଼ନା ପ୍ରସ୍ତୁତ ହୋଇ ଇଣ୍ଟରନେଟରେ ସ୍ଥାନିତ ହୋଇପାରିଲେ ଦୀର୍ଘଦିନ ଧରି ବ୍ୟବହାର୍ଯ୍ୟ ନହୋଇ ପଡ଼ିରହିଥିବା ଓଡ଼ିଆ ଭାଷା ପୁର୍ନଜୀବନ ଲାଭ କରିପାରିବ । ଅତଏବ ଇଣ୍ଟରନେଟର ପ୍ରସାର ଓଡ଼ିଆ ଭାଷାର ସମୃଦ୍ଧଲାଗି ଏକ ସୁଯୋଗ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଏ ସୁଯୋଗର ଉଚ଼ିତ ଉପଯୋଗ ଆବଶ୍ୟକ ।


 

ସୃଜନ ଏକ ବ୍ୟକ୍ତିକେନ୍ଦ୍ରୀକ ପ୍ରକ୍ରିୟା । ନ’ଅଙ୍କ ଦୁର୍ଭିକ୍ଷ ପର ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବ ସମୟସୀମାରେ ଓଡ଼ିଆ ଭାଷା, ସାହିତ୍ୟ, ସମାଜ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ନିମନ୍ତେ ଯେଉଁ ସୃଜନ ଆନ୍ଦୋଳନ ସୂତ୍ରପାତ ହୋଇଥିଲା ସେଥିରେ ହାତଗଣତି ବ୍ୟକ୍ତିବିଶେଷଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ସେମାନଙ୍କ ସଂଗ୍ରାମର ଫଳ ସ୍ୱରୂପ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବା ଫଳରେ ଅଶୀ ବର୍ଷପରେ ସାଢ଼େ ଚ଼ାରିକୋଟି ଓଡ଼ିଶାବାସୀ ରାଜନୀତିକ ସ୍ୱତନ୍ତ୍ର୍ୟ କାରଣରୁ ବହୁବିଧ ସୁବିଧାସୁଯୋଗ ହାସଲ କରିପାରୁଛନ୍ତି ।


 

ଇଣ୍ଟରନେଟ ମଞ୍ଚ ବିକାଶ କାଳରେ ସଂପ୍ରତି ଯେଉଁ ପୁର୍ନଜାଗରଣର ଆବଶ୍ୟକତା ଅନୁଭୂତ ହେଉଛି ତାହା ସରକାର, କୌଣସି ସଂଗଠନ କିମ୍ୱା ନିବେଶକ ପୂରଣ କରିପାରିବେ ନାହିଁ । କେତେକ ସର୍ଜନଶୀଳ ବ୍ୟକ୍ତିଙ୍କ ନିରଳସ ସାଧନାଫଳରେ ହିଁ ଭରଚୁଆଲ ଓଡ଼ିଆ ପାଠ୍ୟ ବିକଶିତ ହୋଇପାରିବ । ଅବଶ୍ୟ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବା ନିମନ୍ତେ ସରକାରୀ ତଥା ବେସରକାରୀ ସାଂଗଠନିକସ୍ତରରେ ଉଦ୍ୟମ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ ।


 

ଓଡ଼ିଶା ସରକାରଙ୍କ ଦ୍ୱାରା ସୃଷ୍ଟ କାର୍ଯ୍ୟକ୍ଷମ ହେବା ଅପେକ୍ଷାରତ ଓଡ଼ିଶା ଭର୍ଚୁଆଲ ଏକାଡ଼େମୀ ଅନ୍ତତଃପକ୍ଷେ ସବୁ ଧରଣର ଓଡ଼ିଆ ଇ-ବୁକ ୱେବସାଇଟରେ ସ୍ଥାନିତ କରିବା ତଥା ତ୍ରୈୟମାସିକଭିତ୍ତିରେ ବିଭିନ୍ନ ବିଭାଗରେ ପ୍ରକାଶିତ ଇ-ବୁକଗୁଡ଼ିକ ବିଚ଼ାରକୁ ନେଇ ପୁରସ୍କାର ବିତରଣ ବ୍ୟବସ୍ଥା କରିପାରିବ । କେତେକ ନିର୍ଦ୍ଧିଷ୍ଟ ବିଭାଗରେ ଇ-ବୁକ ରଚ଼ନା ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କଲେ ଅଧିକ ସଂଖ୍ୟକ ପାଠ୍ୟ ପ୍ରସ୍ତୁତିର ଭିତ୍ତିଭୂମି ଗଢ଼ି ଉଠିବ । ସୃଜନ ପରିବେଶକୁ ଚଳଚଞ୍ଚଳ କରିବା ନିମନ୍ତେ ଏଭଳି କିଛି ପଦକ୍ଷେପ ଗ୍ରହଣ କରାଯିବା ଯୁକ୍ତିଯୁକ୍ତ ।


 

ପ୍ରତ୍ୟେକ ସମସ୍ୟାର ସମାଧାନ ବ୍ୟାପକ ବିଚ଼ାରବିମର୍ଷ ଆବଶ୍ୟକ କରିଥାଏ । ଓଡ଼ିଆ ଭାଷାସାହିତ୍ୟ ପ୍ରସାରରେ ରୁଚ଼ି ରଖୁଥିବା ନେତୃସ୍ଥାନୀୟ ଗୋଷ୍ଠୀ ଏଥିପ୍ରତି ଯତ୍ନବାନ ହେବା ସମୟର ଆହ୍ୱାନ ।                  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଏପ୍ରିଲ ୨୦୧୮

ଇଣ୍ଟରନେଟ ମଞ୍ଚର ଦୁରୋପଯୋଗ

ଭାରତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଣ୍ଟରନେଟ ମଧ୍ୟସ୍ଥି ରୂପେ କାର୍ଯ୍ୟରତ ଘରୋଇ ପ୍ରତିଷ୍ଠାନଗୁଡ଼ିକ ନିମନ୍ତେ ସଂଶୋଧିତ ଆଚ଼ରଣ ନିର୍ଦ୍ଦେଶନାମା ୨୦୨୦ ଜାନୁୟାରୀ ମାସ ମଧ୍ୟଭାଗ ସୁଦ୍ଧା ପ୍ରକାଶ କରାଯିବା ସ୍ଥିରୀକୃତ ହୋଇଛି । ଇଲକ୍ଟ୍ରୋନିକ୍ସଓ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ଅକ୍ଟୋବର ଚ଼ତୁର୍ଥ ସପ୍ତାହରେ ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିବା ଏକ ସ୍ଵୀକାରୋକ୍ତିରେ ‘ଇନଫରମେସନ ଟେକନୋଲିଜ (ଇଣ୍ଟରମିଡ଼େଏଟରିସ) ଗାଇଡ଼ଲାଇନ୍ସ (ଏମେଣ୍ଡମେଣ୍ଟ) ରୁଲସ ୧୯୧୮’ ଚିଠା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଇଛି । ପ୍ରସ୍ତାବିତ ନିର୍ଦ୍ଦେଶନାମା ପ୍ରଣୟନ ଇଣ୍ଟରନେଟ ମଞ୍ଚର ଦୁରୋପଯୋଗ ପ୍ରତିହତ କରିବାରେ ସକ୍ଷମ ହେବା ଆଶା କରାଯାଉଛି ।


 

ମନ୍ତ୍ରଣାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ ଆଧୁନିକ ପରିବେଶରେ ଇଣ୍ଟରନେଟ ଏକ ପକ୍ଷରେ ସାମାଜିକ ଓ ଅର୍ଥନୀତିକ ପ୍ରଗତିର ସୂତ୍ରଧର ରୂପେ କାର୍ଯ୍ୟ କରୁଥିଲେ ହେଁ ଅପରପକ୍ଷେ ଅସତ୍ୟ ସମ୍ୱାଦ, ଗାଳିଗୁଲଜ, ମାନହାନୀ, ବିଶୃଙ୍ଖଳା ଓ ଦେଶଦ୍ରୋହ ଇତ୍ୟାଦି ବେନିୟମ କାର୍ଯ୍ୟକଳାପରେ ଦୁରୋପଯୋଗ ହେଉଛି । ସର୍ବୋପରି ସ୍ଥଳବିଶେଷରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତିବନ୍ଧକ ପାଲଟୁଛି । ଇଣ୍ଟରନେଟ ଉପଯୋଗ, ବିଶେଷକରି ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ପ୍ରକାଶନରେ ବ୍ୟକ୍ତିଗତ ଅଧିକାର ଓ ରାଷ୍ଟ୍ରୀୟ ସାର୍ବଭୗମତ୍ଵର ସୁରକ୍ଷାଲାଗି ପୂର୍ବ ପ୍ରଦତ୍ତ ନିର୍ଦ୍ଦେଶନାମା ସଂଶୋଧନରେ ଗୁରୁତ୍ୱ ଉପଲବ୍ଧ କରି ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ।


 

ମାଡ୍ରାସ ହାଇକୋର୍ଟରେ ଅଣ୍ଟୋନୀକ୍ଳେମେଣ୍ଟରୁବିନ ନାମକ ଜଣେ ଆଡ଼ଭୋକେଟ ୨୦୧୮ ଜୁଲାଇ ମାସରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଉପଭୋକ୍ତାମାନେ ପଞ୍ଜୀକୃତ ହେବା ସମୟରେ ଆଧାର ସଂଖ୍ୟା ଉଲ୍ଲେଖ କରିବା ନିମନ୍ତେ ନୀତିନିୟମ ପ୍ରଣୟନ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେବା ପ୍ରାର୍ଥନା କରି ମକଦ୍ଦମା ଦାୟର କରିଥିଲେ । ଏତଦ୍ୱାରା ଅସମାଜିକ ତତ୍ତ୍ୱ ପ୍ରକାଶନ କାଳରେ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରିବା ସହଜ ହେବ ବୋଲି ଦର୍ଶାଇଥିଲେ । ଏକ ରକମର ଅନ୍ୟ କେତେକ ମକଦ୍ଦମା ଦେଶର ବିଭିନ୍ନ ପ୍ରାନ୍ତରେ ଦାୟର ହେବାପରେ ମକଦ୍ଦମାରେ ପକ୍ଷଭୁକ୍ତ ଫେସବୁକ ପକ୍ଷରୁ ସମସ୍ତ ମାମଲା ସୁପ୍ରିମ କୋର୍ଟକୁ ସ୍ଥାନାନ୍ତର କରିବା ନିମନ୍ତେ ଅପିଲ କରିଥିଲେ । ନ୍ୟାୟମୂର୍ତ୍ତି ଦୀପକ ଗୁପ୍ତା ଓ ନ୍ୟାୟମୂର୍ତ୍ତିଅନିଋଦ୍ଧବୋଷଙ୍କ ଖଣ୍ଡପୀଠରେ ବିଚାରଣାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିବର୍ତ୍ତିତ ପରିବେଶରେ ଇଣ୍ଟରନେଟ ନିୟନ୍ତ୍ରଣ ଲାଗି ପ୍ରଚଳିତ ନିର୍ଦ୍ଦେଶନାମା ସଂଶୋଧନ କରାଯାଉଥିବା ଉଲ୍ଲେଖ କରିଥିଲେ । ଅଦାଲତ ପକ୍ଷରୁ ଏଭଳି ସଂଶୋଧିତ ନିର୍ଦ୍ଦେଶନାମାନିର୍ଦ୍ଦିଷ୍ଟଭାବେ କେବେଠାରୁ ଲାଗୁ ହେବ ତିନି ସପ୍ତାହ ମଧ୍ୟରେ ଜଣାଇବା ଲାଗି ୨୪ ସେପ୍ଟେମ୍ବର ୨୦୧୯ରେ ନିର୍ଦ୍ଦେଶ ଦେଇଥିଲେ ।


 

ପ୍ରସ୍ତାବିତ ‘ଇନଫରମେସନ ଟେକନୋଲଜି ଆଇନ ୨୦୦୦’ସଂଶୋଧନରେ ମୁଖ୍ୟତଃ ଫେସବୁକ, ଟୁଇଟର, ୟୁଟ୍ୟୁବ, ଟିକଟକ ଭଳି ମଧ୍ୟସ୍ଥି ‘ଇଣ୍ଟରନେଟ ଇଣ୍ଟରମିଡ଼ିଏଟରି’ଙ୍କନିଜସ୍ୱ ମଞ୍ଚରେ ପ୍ରକାଶନ ଜନିତ ମାମଲାଗୁଡ଼ିକରେ ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ପ୍ରାବଧାନ ରଖାଯିବା ଆଶା କରାଯାଉଛି । ଧାରା ୭୯ ସଂଶୋଧନ କରାଯାଇ ବିଭିନ୍ନ ମଞ୍ଚରେ ତୃଟିପୂର୍ଣ୍ଣ ପ୍ରକାଶନର ଉତ୍ସ ୭୨ ଘଣ୍ଟା ମଧ୍ୟରେ ଖୋଜି ବାହାର କରିବା ବାଧ୍ୟତାମୂଳକ କରାଯାଇପାରେ । ଏହାର ପ୍ରଭାବରେ ହ୍ୱାଟସଅପ ଭଳି ମଞ୍ଚରେ ପାଠ୍ୟ ଓ ଚିତ୍ର ସହ ପ୍ରେରକଙ୍କ ପରିଚୟ ଗୋପନୀୟତା ‘ଇନକ୍ରାପ୍ଟସନ’ ବିଭବ ପ୍ରଭାବିତ ହୋଇପାରେ । ଏକ ପକ୍ଷରେ ଗୋପନୀୟତା ଉନ୍ମୋଚନ ନିମନ୍ତେ ବୈଷୟିକ ଉଦ୍ୟମ ହେଲେ ଏଭଳି ଆପ୍ଲିକେସନ ସ୍ୱାତନ୍ତ୍ର୍ୟ ହରାଇବା ଆଶଙ୍କା ଥିବା ସ୍ଥଳେ ଗୋପନୀୟତାକୁ ଆଧାର କରି ଯାବତୀୟ ସାମାଜିକ ଦୁଷ୍କର୍ମରେ ଯୋଗାଯୋଗର ମାଧ୍ୟମ ପାଲଟିଥିବା ହେତୁ ଏଥିରେ ଆକଟ ଯୁକ୍ତିଯୁକ୍ତ ମନେହୁଏ ।


 

ସୁପ୍ରିମ କୋର୍ଟ ପକ୍ଷରୁ ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରଧୀନ ସୋସିଆଲ ମିଡ଼ିଆ ପଞ୍ଜୀକରଣରେ ଆଧାର ସଂଖ୍ୟା ସଂଯୋଗ ସଂପର୍କୀତ ମାମଲାଗୁଡ଼ିକୁ ଉଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର ନିମନ୍ତେ ୨୨ ଅକ୍ଟୋବର ୨୦୧୯ରେ ଆଦେଶ ପ୍ରଦାନ କରିଛନ୍ତି । ଏ ସଂପର୍କରେ ବିଚାରଣା କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଶୋଧିତ ନିର୍ଦ୍ଦେଶନାମା ଜାରୀପରେ ଜାନୁୟାରୀ ୨୦୨୦ ଶେଷ ସପ୍ତାହରୁ ଆରମ୍ଭ ହେବ ।


 

ଭାରତରେ ଇଣ୍ଟରନେଟ ମଧ୍ୟସ୍ଥି ଆଚରଣ ନିର୍ଦ୍ଦେଶନାମା ପ୍ରଣୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସମୟରେ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକେରବର୍ଗ ୧୭ ଅକ୍ଟୋବର ୨୦୧୯ରେ ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜଟାଉନବିଶ୍ୱବିଦ୍ୟାଳୟରେ‘ଡିଜିଟାଲ ଯୁଗରେ ଗଣତନ୍ତ୍ର’ ଶୀର୍ଷକ ବକୃତାମାଳାରେ କହିଛନ୍ତି ଯେ ମାନବ ସଭ୍ୟତାରେ ମନୁଷ୍ୟ ଭାବବ୍ୟକ୍ତି ନିମନ୍ତେ ସମକାଳରେ ସର୍ବାଧିକ ସୁବିଧା ସୁଯୋଗର ଅଧିକାରୀ । ୨୦୦୪ ମସିହାରେ ଫେସବୁକ ପ୍ରଚଳନ କାଳରୁ ଅଭିବ୍ୟକ୍ତିରେ ସ୍ୱାଧୀନତାକୁ ଗୁରୁତ୍ୱ ଦେଇ ଆସିଛି । ତେବେ ପନ୍ଦର ବର୍ଷପରେ ଅତୀତକୁ ରୋମନ୍ଥନ କଲେ ଏଭଳି ସ୍ୱାଧୀନତା ମନୁଷ୍ୟକୁ ଏକତ୍ରୀତ କରିବା ବଦଳରେ ସ୍ଥଳବିଶେଷରେ ବିଚ୍ଛେଦର କାରଣ ପାଲଟୁଥିବା ଦୁଃଖଦାୟକ ।


 

ଅଭିବ୍ୟକ୍ତିରେ ସ୍ୱାଧୀନତା ପ୍ରତି ନିଜର ପ୍ରତିଶୃତିବଦ୍ଧତାକୁଦୋହରାଇଜୁକେରବର୍ଗ ଏଭଳି ସ୍ୱାଧୀନତା ବଜାୟ ରଖିବାଲାଗି ତିନିଗୋଟି ପ୍ରତିବନ୍ଧକ ଉଲ୍ଲେଖ କରିଥିଲେ ।


 

ପ୍ରଥମତଃ ବିଶ୍ୱବ୍ୟାପୀ ସରକାରୀସ୍ତରରେ ମୁକ୍ତ ଭାବବ୍ୟକ୍ତିରେ ଅଙ୍କୁଶ ଜାରୀ କରିବା ନିମନ୍ତେ ଉଦ୍ୟମ ପରିଲକ୍ଷିତ ହେଉଛି । ଉନ୍ମେଷ କାଳରୁ ଇଣ୍ଟରନେଟ ମଞ୍ଚଗୁଡ଼ିକ ଯୁକ୍ତରାଷ୍ଟ୍ର ଆମେରିକାକେନ୍ଦ୍ରୀକଥିବାସ୍ଥଳେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଶେଷ ବେଳକୁ ଦଶ ଗୋଟି ପ୍ରମୁଖ ଇଣ୍ଟରନେଟ ମଞ୍ଚ ମଧ୍ୟରେ ଛଅ ଗୋଟି ଚୀନ କର୍ତ୍ତୃତ୍ୱାଧୀନ । ମାଲିକାନାର ପ୍ରଭାବ ମଞ୍ଚ ପରିଚାଳନାରେ ସୁସ୍ୱଷ୍ଟ । ସାମାଜିକ ସ୍ଥିରତାର ଦ୍ୱାହି ଦେଇ ସରକାରୀ ବିରୋଧୀ ପ୍ରକାଶନକୁ ନିରୁତ୍ସାହିତ କରିବା ପ୍ରବାହ ଏକ ଭିନ୍ନ ପରିବେଶ ସୃଷ୍ଟି କରିବ ।


 

ଦ୍ୱିତୀୟତଃ ଇଣ୍ଟରନେଟ ମଞ୍ଚଗୁଡ଼ିକ ସରକାରୀ ଚାପର ବଶବର୍ତ୍ତୀ ହୋଇ ଉପଭୋକ୍ତାଙ୍କ ପ୍ରକାଶନ ‘ପୋଷ୍ଟ’ଗୁଡ଼ିକ ଅଧିକରୁ ଅଧିକ ମାତ୍ରାରେ ଯାଞ୍ଚ ‘ସେନସର’ କରି ଅପସାରଣ ‘ଡିଲିଟ’ କରିବାରେ ଲାଗିଛନ୍ତି । ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକର ଏତାଦୃଶ ଆଭିମୁଖ୍ୟ ଇଣ୍ଟରନେଟ ସ୍ୱାଧୀନତା ପ୍ରତି ବିପଦ ।


 

ତୃତୀୟତଃ ରାଜନୀତିକ ଦଳଗୁଡ଼ିକ ପ୍ରତିପକ୍ଷର ପ୍ରକାଶନକୁ ସହ୍ୟ କରିପାରୁ ନାହାନ୍ତି । ଅସହିଷ୍ଣୁତା ଇଣ୍ଟରନେଟ ସ୍ୱାଧୀନତାଲାଗିବିଶ୍ୱବ୍ୟାପୀଆହ୍ୱାନ ସୃଷ୍ଟି କରିଛି । ପ୍ରକାରନ୍ତେ ଏତାଦୃଶ୍ୟ ମନୋଭାବ ଗଣତନ୍ତ୍ର ପ୍ରତି ବିପଦ ଡ଼ାକି ଆଣୁଛି ।


 

ଜୁକେରବର୍ଗ ଫେସବୁକ ପରିଚାଳନାରେ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଇଣ୍ଟରନେଟ ମଞ୍ଚଗୁଡ଼ିକ ପକ୍ଷରୁ ସମୟକ୍ରମେ ଉପଭୋକ୍ତାଙ୍କ ଦ୍ୱାରା ପ୍ରକାଶିତ ପାଠ୍ୟ ଓ ଚିତ୍ରଗୁଡ଼ିକ ଅଧିକରୁ ଅଧିକ ସଂଖ୍ୟାରେ ଅପସାରଣ କରାଯିବା ପରିସଂଖ୍ୟାନଚିନ୍ତାଜନକ । ଘରୋଇ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ପକ୍ଷେ ଉପଭୋକ୍ତାଙ୍କ ପ୍ରକାଶନ ଯାଞ୍ଚ ବ୍ୟବସ୍ଥା ଅଯୌକ୍ତିକ । ସ୍ୱାଭାବିକଭାବେ ସାମାଜିକସ୍ତରରେ ବିଶୃଙ୍ଖଳା ଉଦ୍ରେକକାରୀ, ହିଂସାକାଣ୍ଡ ଉସୁକାଇବା, ଶିଶୁ ଉତ୍ପୀଡନ, ତୃଟିପୂର୍ଣ୍ଣ ସ୍ୱାସ୍ଥ୍ୟରକ୍ଷା ସୂଚନା ଇତ୍ୟାଦି ପ୍ରକାଶନ ଅପସାରଣ କରାଯାଇଥାଏ । କିନ୍ତୁ ଏଥିରେ ମତବାଦକୁ ଅନ୍ତର୍ଭୁକ୍ତ କରାଯିବା ଅନୁଚ଼ିତ ।


 

ଫେସବୁକରେ ରାଜନୀତିକ ବିଜ୍ଞାପନ ପ୍ରକାଶନ ଧାରା ବିଶ୍ଳେଷଣ କରି ସେ ସୂଚାଇଥିଲେ ଯେ ମଞ୍ଚର ବ୍ୟାବସାୟିକ ମଡ଼େଲରେ ରାଜନୀତିକ ବିଜ୍ଞାପନରୁ ଆୟ ନଗଣ୍ୟ । କିନ୍ତୁ ରାଜନୀତିକ ବିଜ୍ଞାପନ ପ୍ରକାଶନକୁ ନେଇ ପ୍ରବଳ ହଟ୍ଟଗୋଳ ହେଉଥିବା ହେତୁ ଥରେଅଧେ ଫେସବୁକ ମଞ୍ଚରେ ରାଜନୀତିକ ବିଜ୍ଞାପନ ପ୍ରକାଶନ ନିଷିଦ୍ଧ କରାଯିବା ନିମନ୍ତେ ବିଚାରବିମର୍ଷ କରାଯାଇଛି । ତେବେ ବିଜ୍ଞାପନ ମଧ୍ୟ ମୁକ୍ତଭାବ ପ୍ରକାଶର ଏକ ମାଧ୍ୟମ ରୂପେ ସ୍ୱୀକୃତ ଥିବା ହେତୁ ତାହାର ବାରଣ ଅଭିବ୍ୟକ୍ତିର ସ୍ୱାଧୀନତାରେ ପ୍ରଭାବ ପକାଇବ ବୋଲି ହୃଦବୋଧ କରି ସେଭଳି ପଦକ୍ଷେପ ନିଆଯାଇ ନାହିଁ । ରାଜନୀତିକ ବିଜ୍ଞାପନରେ ଅଧିକାଂଶ କୌଣସି ଏକ ବିଷୟବସ୍ତୁ ଉପରେ ଏକ ଚିନ୍ତାଧାରା ଆଧାରିତ ହୋଇଥାଏ । ଏହାକୁ ବାରଣ କରିବା ଦ୍ୱାରା ସଂପୃକ୍ତ ଚିନ୍ତାଧାରା ପ୍ରସାର ଆକଟ ହେବ ।


 

ଜୁକେରବର୍ଗ ପ୍ରଶ୍ନ କରିଥିଲେ ଯଦି ସୋସିଆଲ ମିଡ଼ିଆରେ ପ୍ରକାଶନ ଯାଞ୍ଚ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଏ ତେବେ ଏହାର ସୀମା ସରହଦ କିଏ ଟାଣିବ ? ସ୍ଥାନୀୟ ପ୍ରଶାସନ ଓ ସଂପୃକ୍ତ ମଞ୍ଚ ବଦଳରେ ବିଶାରଦମାନଙ୍କୁ ନେଇ ଗଠିତ ତୃତୀୟ ପକ୍ଷ ଗଠନ ଏକ ବିକଳ୍ପ ରୂପେ ବିଚାର କରାଯାଏ । ଏହି ପରିପ୍ରେକ୍ଷୀରେ ଫେସବୁକ ପକ୍ଷରୁ ‘ଓଭରସାଇଟ ବୋର୍ଡ’ ନାମିତ ଏକ ସ୍ୱାଧୀନ ତୃତୀୟ ପକ୍ଷ ଗଠନ ସଂପର୍କରେ ଜୁକେରବର୍ଗ ଘୋଷଣା କରିଥିଲେ । ଭାରତରେ ପ୍ରସ୍ତାବିତ ଇଣ୍ଟରନେଟ ମଧ୍ୟସ୍ଥି ଆଚ଼ରଣ ନିର୍ଦ୍ଦେଶନାମାରେ ତୃତୀୟ ପକ୍ଷ ପ୍ରକାଶନ ଯାଞ୍ଚ ବ୍ୟବସ୍ଥା ପ୍ରସ୍ତାବ ସ୍ଥାନ ପାଇବା ଆଶା କରାଯାଇ ପାରେ କି ?                   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୫ ଅକ୍ଟୋବର ୨୦୧


ତଥ୍ୟ :



Aryan, Aashish & Neha Alawadhi. New social media rules in 3 months, Centre tells SC. Business Standard (Bhubaneswar Edition). October 22, 2019.


 

Zuckerberg, Mark. Facebook stands for free expression. Business Standard  (Bhubaneswar Edition). October 19 / 20, 2019.


 

Rajagopal, Krishna das. Court to look into govt. plea for access to WhatsApp chats. The Hindu (Cuttack Edition). October 23, 2019.

ଡ଼ିଜିଟାଲ ଜୀବନରେ ଆତ୍ମନିରୀକ୍ଷଣ

କୁହାଯାଉଛି ଯେ ବିଗତ ତିନି ଦଶନ୍ଧିଧରି ପ୍ରଯୁକ୍ତି ବିଜ୍ଞାନକ୍ଷେତ୍ରରେ ଉଦ୍ଭାବନଗୁଡ଼ିକୁ ବିଶ୍ୱବ୍ୟାପୀ ସାଦରରେ ଗ୍ରହଣ କରାଯାଇ ଆସିଛି । ଠିକ୍ ଏହି ସମୟସୀମାରେ ପ୍ରବର୍ତ୍ତିତ ଜଗତୀକରଣ ଓ ଆର୍ଥିକ ଉଦାରୀକରଣ ନୀତିର ଅପକାରିତା ସଂପର୍କରେ ଚର୍ଚ୍ଚା ହୋଇଛି ସିନା, କମ୍ପ୍ୟୁଟିଂ ଆଶ୍ରିତ ବିବିଧ ଉତ୍ପାଦରବ୍ୟବହାର କିମ୍ୱା ଇଣ୍ଟରନେଟର ବିସ୍ତୃତି ନେଇ ପ୍ରାୟତଃ ବିରୋଧ ହୋଇନଥିଲା । ଅପରପକ୍ଷେ ନୂତନ ପ୍ରଯୁକ୍ତି ବିଜ୍ଞାନ ବା ନ୍ୟୂ ଟେକନୋଲଜି ମାନବ ସଭ୍ୟତାର ଯାବତୀୟ ସମସ୍ୟା ସମାଧାନରେ କିପରି ସହଯୋଗ କରିପାରିବ ସେ ଦିଗରେ ବୈଜ୍ଞାନିକଙ୍କ ସହ ସମାଜବିଜ୍ଞାନୀ, ଅର୍ଥନୀତିଜ୍ଞ ତଥା ରାଜନୀତିଜ୍ଞମାନେ ଦକ୍ଷତା ବିନିଯୋଗ କରିଆସିଛନ୍ତି ।


 

ପ୍ରଥମଥର ଲାଗି ୨୦୧୭ ଶେଷାର୍ଦ୍ଧରୁ ଯୁକ୍ତରାଷ୍ଟ୍ର ଆମେରିକାରେ ନ୍ୟୂ ଟେକନୋଲଜି ସଂପୃକ୍ତ ବିଭିନ୍ନ ଉତ୍ପାଦର ନକାରାତ୍ମକ ଦିଗ ସଂପର୍କରେ ବୁଦ୍ଧିଜୀବୀ ମହଲରେ ସ୍ୱର ଉତ୍ତୋଳନ ଦେଖିବାକୁ ମିଳିଥିଲା । ସାମାଜିକ ଗଣମାଧ୍ୟମ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଏକଦା ପରାମର୍ଶଦାତା ଥିବା ରୋଗାର ମାକ-ନାମେ ‘ଟ୍ରୁଥ ଏବାଉଟ ଟେକ’ ନାମକ ଅଭିଯାନ ଆରମ୍ଭ କରି ଫେସବୁକଭଳି ମଞ୍ଚ ବ୍ୟବହାରଜନିତ ସାମାଜିକ ଅନିଷ୍ଟ ସଂପର୍କରେ ଜନସଚ଼େତନତା ସୃଷ୍ଟିଲାଗି ଉଦ୍ୟମ ସେଥି ମଧ୍ୟରୁ ଅନ୍ୟତମ । ତାଙ୍କରି ଅଭିଯୋଗ ୨୦୧୮ ମାର୍ଚ୍ଚରେ ଫେସବୁକ ଉପଭୋକ୍ତାଙ୍କ ତଥ୍ୟକୁ ନେଇ କେମ୍ୱ୍ରିଜ ଏନାଲିଟିକା ଜରିଆରେ ବିଭିନ୍ନ ରାଷ୍ଟ୍ରରେ ଗଣତାନ୍ତ୍ରିକ ନିର୍ବାଚ଼ନରେ ଭୋଟରଙ୍କୁ ପ୍ରଭାବିତ କରାଇବା ଉଦ୍ୟମର ପର୍ଦ୍ଦାଫାଶପରେ ପ୍ରମାଣିତ ହୋଇଛି ।


 

ଅଭିଯୋଗ ଉଠୁଛି ଯେ ଇଣ୍ଟରନେଟ, ସୋସିଆଲ ମିଡ଼ିଆ ଓ ଭାର୍ଚୁଆଲ ରିଅଲିଟି ଭଳି ଉତ୍ପାଦମାନ ପ୍ରକାଶ୍ୟରେ ଉପଭୋକ୍ତାମାନଙ୍କୁ ଦୈନନ୍ଦିନ କାର୍ଯ୍ୟସମାପନରେ ସାହାଯ୍ୟ କରୁଥିବା ଦାବୀ କରୁଥିଲେ ହେଁ ଗୋପନରେ ବିଭିନ୍ନସ୍ତରରେ ପ୍ରଭାବିତ କରି ବ୍ୟବସାୟିକ ଲାଭପ୍ରତି ଲକ୍ଷ୍ୟ ରହୁଛି । ଆନ୍ତର୍ଜାତିକସ୍ତରରେ ସ୍ମାର୍ଟଫୋନ ବ୍ୟବହାର ବଢ଼ି ଚ଼ାଲିଥିବାସ୍ଥଳେ ସ୍ମାର୍ଟଫୋନ ପରଦାରେ ଅତିବାହିତ ସମୟସୀମା ମଧ୍ୟ ଅଣଆୟତ୍ତଭାବେ ବୃଦ୍ଧିପ୍ରାପ୍ତ ହୋଇଛି। ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନର ଅବିଚ଼ାରିତ ବ୍ୟବହାର ନୂତନ ସମସ୍ୟାମାନ ଗଢ଼ି ତୋଳୁଛି ।


 

ଗବେଷକମାନେ କହିଲେଣି ଯେ ସ୍ମାର୍ଟଫୋନ ବ୍ୟବହାରଜନିତ ମାଦକତା ସାମାଜିକ ବ୍ୟବସ୍ଥା ସମେତ ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟଲାଗି ମଧ୍ୟ ବିପଦପୂର୍ଣ୍ଣ । ସ୍ମାର୍ଟଫୋନରେ ବ୍ୟବହୃତ ବିଭିନ୍ନ ଆପ୍ଲିକେସନଜନିତ ଆଲର୍ଟ ଉପଭୋକ୍ତାଙ୍କ ଷ୍ଟ୍ରେସ ହରମୋନକୁ ଉତ୍ତେଜିତ କରି ହୃଦସ୍ପନ୍ଦନ ବୃଦ୍ଧି ସଙ୍ଗେ ଶ୍ୱାସକ୍ରିୟା ଓ ସ୍ନାୟୁକୋଷଗୁଡ଼ିକ ପ୍ରଭାବିତ କରିଥାଏ । ଏଭଳି ପ୍ରକ୍ରିୟା ବାରମ୍ୱାର ସାମନା କରିବା ଫଳରେ ଉପଭୋକ୍ତା ମାନସିକସ୍ତରରେ ଅବଶ ହୋଇପଡ଼େ । ସ୍ମାର୍ଟଫୋନଜନିତ କ୍ରମାଗତ ଉତ୍ତେଜନା ସ୍ଥଳବିଶେଷରେ ଅବସାଦର କାରଣ ହୋଇପାରେବୋଲି ମଧ୍ୟ ଚ଼େତାବନୀ ଦିଆଗଲାଣି ।


 

ମୁଦ୍ରିତ ପୁସ୍ତକ ବା ଲିଖିତ ଦସ୍ତାବିଜ ବଦଳରେ କମ୍ପ୍ୟୁଟର ବା ମୋବାଇଲ ପରଦାର ପଢ଼ା ବିଷୟବସ୍ତୁକୁ ସଠିକଭାବେ ବୁଝିବା ବା କମ୍ପ୍ରିହେନସନକ୍ଷେତ୍ରରେ ଅପେକ୍ଷାକୃତ ଶୀଥିଳ ବୋଲି ପ୍ରମାଣିତ ହୋଇଛି । ବିଶେଷକରି ଜଟିଳ ତଥା ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଅଧ୍ୟୟନ ଲାଗି ସତର୍କତା ଅବଲମ୍ୱନ କରିବାକୁ ପରାମର୍ଶ ଦିଆଯାଉଛି ।


 

ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୨୦୧୭ ଶେଷ ସୁଦ୍ଧା ୪୮ କୋଟିରେ ପହଞ୍ଚିଥିବା ବେଳେ ୮୯ ପ୍ରତିଶତ ସ୍ମାର୍ଟଫୋନଯୋଗେ ଇଣ୍ଟରନେଟ ମଞ୍ଚ ବ୍ୟବହାର କରିଥାନ୍ତି ବୋଲି ଡ଼ିଜିଟାଲ ବିଶ୍ଳେଷଣ ସଂସ୍ଥା ‘କମସ୍କୋର’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । ଆନ୍ତର୍ଜାତିକସ୍ତରରେ ଭାରତ ପରକୁ ଇଣ୍ଡୋନେସିଆରେ ୮୭ ପ୍ରତିଶତ, ମେକ୍ସିକୋରେ ୮୦ ପ୍ରତିଶତ ଓ ଆର୍ଜେଣ୍ଟିନାରେ ୭୭ ପ୍ରତିଶତ ଉପଭୋକ୍ତା ସ୍ମାର୍ଟଫୋନରେ ଇଣ୍ଟରନେଟ ବ୍ୟବହାର କରିଥାନ୍ତି ।


 

ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ବ୍ୟବହାର କ୍ଷେତ୍ରରେ ଭାରତ ଶୀର୍ଷସ୍ଥାନ ଅଧିକାର କରୁଥିବା ହେତୁ ଏଠାରେ ‘ମୋବାଇଲ ପାଂଷ୍ଟ’ ପରିବେଶ ସୃଷ୍ଟି ହୋଇଛି ବୋଲି କହିବାକୁ ପଡ଼ିବ । ଅର୍ଥାତ ଇଣ୍ଟରନେଟଭିତ୍ତିକ ଯେକୌଣସି ଉତ୍ପାଦ ଉପଭୋକ୍ତାଙ୍କ ନିକଟରେ ପହୁଞ୍ଚାଇବା ନିମନ୍ତେ ସ୍ମାର୍ଟଫୋନ ପରଦା ହିଁ ମୁଖ୍ୟ ବିବେଚ଼ିତ ହେବ । ଆମ ଦେଶ ଭଳି ବିକାଶୋନ୍ମମୁଖୀ ରାଷ୍ଟ୍ରଗୁଡ଼ିକରେ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧିର ଅନ୍ୟାନ୍ୟ କାରଣ ମଧ୍ୟରେ ଇଣ୍ଟରନେଟର ଭୌଗଳିକ ପରିବ୍ୟାପ୍ତି, ସ୍ମାର୍ଟଫୋନର ବିକ୍ରୟ ଦର ଓ ଡ଼ାଟା ଦର ହ୍ରାସ ପ୍ରଧାନ ।


 

ଭାରତରେ ସ୍ମାର୍ଟଫୋନ ବିକ୍ରୀ ବାର୍ଷିକ ୧୪ ରୁ ୧୫ ପ୍ରତିଶତ ହାରରେ ବୃଦ୍ଧି ପାଇବାରେ ଲାଗିଛି । କିଛି ବର୍ଷ ପୂର୍ବେ ଏଠାରେ ଆନ୍ତର୍ଜାତିକମାନର ଏପଲ ଓ ସାମସଙ୍ଗଭଳି ବ୍ରାଣ୍ଡ ସହ ଆନ୍ତର୍ଜାତିକ ବ୍ରାଣ୍ଡର ସହଯୋଗିତାରେ ନିର୍ମିତ ସ୍ଥାନୀୟ ବ୍ରାଣ୍ଡ ପ୍ରତିଯୋଗିତା କରୁଥିଲା । ତେବେ ୨୦୧୪ରୁ ଆପୋ, ଭିଭୋ, ଲେ-ଏକୋ ଓ ଜିଓମି ଭଳି ଚ଼ୀନ ବ୍ରାଣ୍ଡର ପ୍ରବେଶ ପରେ ବଜାରରେ ତିନିଗୋଟି ବ୍ରାଣ୍ଡର ପ୍ରତିଯୋଗିତା ଚ଼ାଲିଛି । ୨୦୧୭ ସୁଦ୍ଧା ଗୋଟିଏ ସ୍ମାର୍ଟଫୋନର ହାରାହାରି ବିକ୍ରୀଦର ୧୨ ହଜାର ଟଙ୍କା ଥିବାବେଳେ ୨୦୧୮ ଶେଷ ସୁଦ୍ଧା ୧୫ ହଜାର ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । ଭାରତୀୟ ଉପଭୋକ୍ତାମାନେ ଅଧିକ ଦରରେ ଉନ୍ନତମାନର ନୂତନ ସ୍ମାର୍ଟଫୋନ କିଣିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।


 

ସ୍ମାର୍ଟଫୋନରେ ଭାରତୀୟମାନେ ଗୀତ ଶୁଣିବା, ଭିଡ଼ିଓ ଦେଖିବା ସାଙ୍ଗକୁ ମେସେଜ ଦିଆନିଆ ଓ ସୋସିଆଲ ମିଡ଼ିଆରେ ଅଧିକ ସମୟ ଅତିବାହିତ କରିଥାନ୍ତି । ସୋସିଆଲ ମିଡ଼ିଆଗୁଡ଼ିକର ବ୍ୟବସାୟିକ ଢ଼ାଞ୍ଚା ବା ବିଜିନେସ ମଡ଼େଲ ଉପଭୋକ୍ତାଙ୍କୁ ବିନାମୂଲ୍ୟରେ ସେବା ଯୋଗାଇ ସେମାନେ କ’ଣ କରୁଛନ୍ତି, କ’ଣ ପସନ୍ଦ କରୁଛନ୍ତି ଓ କ’ଣ ଚ଼ାହୁଁଛନ୍ତି ଭଳି ତଥ୍ୟ ସଂଗ୍ରହକରି ତାହାରି ଆଧାରରେ ବ୍ୟକ୍ତିଗତସ୍ତରରେ ବିଜ୍ଞାପନ ପ୍ରସାରଣ କରି ଅର୍ଥ ଉପାର୍ଜନ କରିଥାନ୍ତି । ଏକ ବ୍ୟବସାୟିକ ସଂସ୍ଥା ପ୍ରତ୍ୟେକ ଉପଭୋକ୍ତାଙ୍କ ବ୍ୟକ୍ତିଗତ ବ୍ୟବହାର ସଂପର୍କରେ ତଥ୍ୟ ସଂଗ୍ରହ କରି ତାହା ବ୍ୟବସାୟରେ ନିୟୋଜିତ କରୁଥିବା ହେତୁ ଏଭଳି ପ୍ରଣାଳୀର ବିରୋଧ ଆରମ୍ଭ ହୋଇଛି ।


 

ଡ଼ିଜିଟାଲ ବିଶେଷଜ୍ଞମାନେ କହିଲେଣି ଯେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ମାଗଣାରେ ସେବା ପ୍ରଦାନ ବଦଳରେ ଗ୍ରାହକ ଚ଼ାନ୍ଦା ନିଅନ୍ତୁ, କିନ୍ତୁ ତଥ୍ୟ ବିକ୍ରୀ କରିବା ବନ୍ଦ କରନ୍ତୁ । ବ୍ୟକ୍ତିଗତ କ୍ଳାଉଡ଼ କମ୍ପ୍ୟୁଟିଂ ଉପଯୋଗରେ ଶସ୍ତା ସେରଭର କମ୍ପ୍ୟୁଟର ମାଧ୍ୟମରେ ଅନୁରୂପ ସେବା ପାଇବା ଯେତେବେଳେ ସଂଭବପର ସେଥିପ୍ରତି ଧ୍ୟାନ ଦିଆଯାଉ । ଚ଼ୀନରେ ଫେସବୁକର ବିକଳ୍ପ ଲୋକପ୍ରିୟ ଥିବାବେଳେ ବର୍ତ୍ତମାନ ଭାରତରେ ସେଭଳି ମଞ୍ଚ ନିର୍ମାଣ ପାଇଁ ଜଣେ ବଡ଼ ଶିଳ୍ପପତି ଆହ୍ୱାନ ଦେଇଛନ୍ତି ।


 

ସାମୂହିକ ଡ଼ିଜିଟାଲ ଜୀବନର ପ୍ରସାର ଅତ୍ୟନ୍ତ କ୍ଷୀପ୍ରଗତିରେ ସମ୍ପନ୍ନ ହୋଇଥିବା ହେତୁ ସ୍ମାର୍ଟଫୋନ ବ୍ୟବହାରରେ ମଦକତା ହେଉ କିମ୍ୱା ସୋସିଆଲ ମିଡ଼ିଆର ନକାରତ୍ମକ ଦିଗ କୌଣସିଟି ସଂପର୍କରେ ତତ୍କ୍ଷଣାତ ତର୍ଜମା ସଂଭବପର ହୋଇପାରି ନାହିଁ । ଗତ ଦଶନ୍ଧିରେ ସ୍ମାର୍ଟଫୋନର ଉଦ୍ଭାବନ ଏବଂ ବିଶ୍ୱବ୍ୟାପୀ ବ୍ୟବହାର ସାଧାରଣ ନାଗରିକଙ୍କ ଡ଼ିଜିଟାଲ ଜୀବନକୁ ପ୍ରଭାବିତ କରିଚ଼ାଲିଥିବା ଅବସରରେ ଏହାର ସାମୟିକ ଆତ୍ମନିରୀକ୍ଷଣ ଯୁକ୍ତିଯୁକ୍ତ ମନେହୁଏ ।                    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨ ଏପ୍ରିଲ ୨୦୧

 ଡ଼ିଜିଟାଲ ବିରତି

ଜନସାଧାରଣଙ୍କ ଡ଼ିଜିଟାଲ ସଂପୃକ୍ତି ବର୍ତ୍ତମାନ ଡ଼ିଜିଟାଲ ବିରତି ଆହ୍ୱାନରେ ପର୍ଯ୍ୟବସିତ ହେଲାଣି । ୨୦୧୮ ମଧ୍ୟଭାଗ ସୁଦ୍ଧା ଭାରତରେ ପ୍ରାୟ ୫୦ କୋଟି ଇଣ୍ଟରନେଟ ଉପଭୋକ୍ତା ହିସାବ କରାଯାଉଥିବା ସ୍ଥଳେ ଏମାନଙ୍କ ମଧ୍ୟରେ ଶତକଡ଼ା ୮୯ ଭାଗ ମୋବାଇଲ ଇଣ୍ଟରନେଟ ବ୍ୟବହାରରେଅଭ୍ୟସ୍ତ ।ଇଣ୍ଟରନେଟ ସମ୍ୱଳିତ ସ୍ମାର୍ଟଫୋନ ସଂଯୋଗ ୨୦୧୮ ଆରମ୍ଭରେ ୨୯ କୋଟି ଥିବାବେଳେ ବର୍ଷଶେଷ ବେଳକୁ ୩୩ କୋଟିରେ ପହଞ୍ଚିବା ଆକଳନ କରାଯାଉଛି ।ସାଧାରଣରେ ସ୍ମାର୍ଟଫୋନ ଉପଭୋକ୍ତାମାନେ ହାରାହାରି ଦୈନିକ ପ୍ରାୟ ଦେଢ଼ ଘଣ୍ଟାରୁ ଚ଼ାରିଘଣ୍ଟା ମୋବାଇଲ ଫୋନରେ ଅତିବାହିତ କରିଥାନ୍ତି ।


 

ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକ ଶେଷଭାଗରୁ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ସଂପୃକ୍ତି ଏକ ଆନ୍ତର୍ଜାତିକ ପ୍ରବାହ ରୂପ ନେଇଛି । ସର୍ବତ୍ର ସ୍ମାର୍ଟଫୋନ ବ୍ୟବହାରରେ ଇଣ୍ଟରନେଟ ମଞ୍ଚରେ ଉପସ୍ଥିତି ଏବଂ ଫୋନ ବ୍ୟବହାରରେ ଦୀର୍ଘ ସମୟ ବିନିଯୋଗ ପାରମ୍ପରିକ ଜୀବନଶୈଳୀକୁ ଗଭୀର ପ୍ରଭାବିତ କରିଛି । ସୋସିଆଲ ମିଡ଼ିଆ ଓ ମେସେଞ୍ଜର ଆପ୍ଲିକେସନଗୁଡ଼ିକର ମାଦକତା ଧନୀ ଗରିବ ଆବାଳ-ବୃଦ୍ଧ-ବନିତାଙ୍କୁ ଆକୃଷ୍ଟ କରୁଥିବା ତଥା ସେଭଳି ମଞ୍ଚରେ ଦୀର୍ଘକାଳ ଉପସ୍ଥିତି କାରଣରୁ ସୃଷ୍ଟ ସମସ୍ୟାବଳୀର ସମାଧାନ ଲାଗି ଡ଼ିଜିଟାଲ ବିରତିର ଆହ୍ୱାନ ଦିଆଯାଉଛି ।


 

ଭାରତରେ ଇଣ୍ଟରନେଟ ବ୍ୟବହାର ଅନୁଶୀଳନ କ୍ଷେତ୍ରରେ କେତେକ ନିର୍ଭରଯୋଗ୍ୟ ଗବେଷଣାରୁ ଜଣାଯାଏ ଯେ ଉପଭୋକ୍ତାମାନେ ୪୦% ସମୟ ସୋସିଆଲ ମିଡ଼ିଆ ଓ ମେସେଞ୍ଜର ଆପ୍ଲିକେସନ, ୩୦% ସମୟ ମନୋରଞ୍ଜନ ଓ ବଳକା ୩୦% ସମୟ ଅନ୍ୟାନ୍ୟ ବିଭାଗ ବ୍ରାଉଜିଂରେ ଅତିବାହିତ କରିଥାନ୍ତି । ସ୍ମାର୍ଟଫୋନ ଅତି ଅଧିକ ସମୟ ବ୍ୟବହାରକାରୀ ୨୦% ଦୈନିକ ୪ ଘଣ୍ଟା, ମଧ୍ୟମ ବର୍ଗର ବ୍ୟବହାରକାରୀ ଅଢ଼େଇ ଘଣ୍ଟା ଓ କମ ସମୟ ଅତିବାହିତ କରୁଥିବା ୨୦% ଉପଭୋକ୍ତା ଦୈନିକ ଦେଢ଼ ଘଣ୍ଟା ମୋବାଇଲ ଫୋନ ଯୋଗେ ବିଭିନ୍ନ ଆପ୍ଲିକେସନ ବ୍ରାଉଜିଂ କରିଥାନ୍ତି । ଇଂଲିଶ ଭିନ୍ନ ହିନ୍ଦି ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଇଣ୍ଟରନେଟ ବ୍ୟବହାର ବୃଦ୍ଧି ପାଇ ଚ଼ାଲିଛି । ଆଗାମୀ ଚ଼ାରିବର୍ଷ ୨୦୨୨ ସୁଦ୍ଧା ଇଣ୍ଟରନେଟ ମଞ୍ଚରେ ପହଞ୍ଚୁଥିବା ପ୍ରତି ଦଶଜଣ ଉପଭୋକ୍ତାଙ୍କ ମଧ୍ୟରେ ନଅଜଣ ହିନ୍ଦି ଓ ଅନ୍ୟାନ୍ୟ ଭାରତୀୟ ଭାଷାଭାଷୀ ଅନ୍ତର୍ଭୁକ୍ତ ହେବେ ।


 

ଅନ୍ୟାନ୍ୟ ଦୃଷ୍ଟିଆକର୍ଷଣକାରୀ ପରିସଂଖ୍ୟାନ ମଧ୍ୟରେ ମହିଳା ସ୍ମାର୍ଟଫୋନ ବ୍ୟବହାରକାରୀମାନେ ହାରାହାରି ପୁରୁଷ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ତୁଳନାରେ ଦୁଇଗୁଣ ସମୟ ଇଣ୍ଟରନେଟ ବ୍ରାଉଜିଂରେ ଅଭ୍ୟସ୍ତ ଥିବାବେଳେ କିଶୋର ଓ କିଶୋରୀମାନେ ପୂର୍ବ ତୁଳନାରେ କମ ସମୟ ଶୋଇ ଅଧିକ ସମୟ ସ୍ମାର୍ଟଫୋନରେ ଉପଯୋଗ କରୁଛନ୍ତି ।


 

ଦୀର୍ଘସମୟ ସ୍ମାର୍ଟଫୋନ ବ୍ୟବହାର କିଶୋର ଅବସ୍ଥାରେ ‘ଏଟେନସନ ଡ଼େଫିସିଟ ହାଇପର ଏକ୍ଟିଭିଟି ଡ଼ିସଅର୍ଡର’ ନାମିତ ମାନସିକ ଅସୁସ୍ଥତା ଆଡ଼କୁ ଟାଣି ନେଉଥିବା ଗବେଷଣାରୁ ଜଣାଯାଇଛି । ଏଥି ଯୋଗୁଁ ଏକଗ୍ରତା ହ୍ରାସ ‘ଇନଏଟେଣ୍ଟିଉଭନେସ’, ସଂଯମହୀନତା ‘ଡ଼ିଫକଲଟି ଇନ ଗେଟିଙ୍ଗ ଅର୍ଗାନାଇଜଡ଼’, ଚ଼ଞ୍ଚଳମନା ‘ହାଇପର ଏକ୍ଟିଭିଟି’ ଓ ଆବେଗପ୍ରବଣ ବା ବିନା ପରିଣତି ବିଚ଼ାରରେ କାର୍ଯ୍ୟସାଧନ ‘ଇମ୍ପଲସିଭିଟି’ ଭଳି ଲକ୍ଷଣ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ୨୦୧୮ ମଧ୍ୟଭାଗରେ ‘ଜର୍ଣ୍ଣାଲ ଅଫ ଆମେରିକାନ ମେଡ଼ିକାଲ ଏସୋସିଏସନ’ରେ ପ୍ରକାଶିତ ଏହି ଅନୁଧ୍ୟାନ ପ୍ରାପ୍ତବୟସ୍କ ସ୍ମାର୍ଟଫୋନ ଉପଭୋକ୍ତାମାନଙ୍କ ପାଇଁ ମଧ୍ୟ ଅନେକାଂଶରେ ପ୍ରଯୁଜ୍ୟ ବୋଲି ବିଚ଼ାର କରାଯାଇପାରେ ।


 

ମନୋବିଜ୍ଞାନୀ ଓ ଗଣମାଧ୍ୟମ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ ପରିବର୍ତ୍ତିତ ବିଶ୍ୱ ପରିବେଶରେ ଡ଼ିଜିଟାଲ ସଂପୃକ୍ତି ବିନା ଦୈନନ୍ଦିନ ଜୀବନଯାତ୍ରା ହୁଏତ କଠିନ ସାବ୍ୟସ୍ତ ହୋଇପାରେ । ତେବେ ମାତ୍ରାଧିକ ସଂପୃକ୍ତି ବିରୋଧାଭାସର କାରଣ ପାଲଟୁଥିବା ହେତୁ ସଂଯମ ଆଚ଼ରଣ ଶ୍ରେୟସ୍କର । ଦେଶବିଦେଶରେ ବହୁ ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ଡ଼ିଜିଟାଲ ବିରତିକୁ ପ୍ରାଧାନ୍ୟ ଦେଉଛନ୍ତି । ନିଜ ଜୀବିକା, ସାମାଜିକ ପରିବେଷ୍ଟନୀ ଓ ରୁଚ଼ି ଅନୁଯାୟୀ ପ୍ରତ୍ୟେକେ ବ୍ୟକ୍ତିଗତସ୍ତରରେ ଡ଼ିଜିଟାଲ ବିରତିର କାର୍ଯ୍ୟସୂଚ଼ୀ ପ୍ରସ୍ତୁତ କରିବା ବିଧେୟ ।


 

ଡ଼ିଜିଟାଲ ସଂପୃକ୍ତି ସ୍ମାର୍ଟଫୋନ ସହ ଡ଼େସ୍କଟପ କମ୍ପୁଟର, ଲେପଟପ, ଟେବଲେଟ, ଡ଼ିଜିଟାଲ ଟେଲିଭିଜନ ଇତ୍ୟାଦି ବ୍ୟବହାରକୁ ବ୍ୟାପ୍ତ । ତେବେ ସାଧାରଣରେ ଅଧିକାଂଶ ବ୍ୟକ୍ତି ସ୍ମାର୍ଟଫୋନରେ ଦୀର୍ଘ ସମୟ ଇଣ୍ଟରନେଟ ମଞ୍ଚରେ ଅତିବାହିତ କରୁଥିବା ହେତୁ ସ୍ମାର୍ଟଫୋନ ବ୍ୟବହାର ନିୟନ୍ତ୍ରଣ ଡ଼ିଜିଟାଲ ବିରତିରେ ଗୁରୁତ୍ୱପୂର୍ଣ୍ଣ।ଘରେ ଓ କାର୍ଯ୍ୟାଳୟରେ ଦୂରଭାଷ ନିମନ୍ତେ ଲ୍ୟାଣ୍ଡଫୋନ ବ୍ୟବହାର କରି କେବଳ ଗମନାଗମନ କାଳରେ ମୋବାଇଲ ଉପଯୋଗ ଉଚ଼ିତ ପନ୍ଥା । ମୋବାଇଲ ଫୋନ ଯୋଗେ ବାର୍ତ୍ତାଳାପ କିମ୍ୱା ଆପ୍ଲିକେସନ ବ୍ରାଉଜିଂ ଦୈନିକ ଦୁଇଘଣ୍ଟା ମଧ୍ୟରେ ସୀମିତ ରଖିବା ଆବଶ୍ୟକ । ସେହିପରି ଡ଼େସ୍କଟପ କମ୍ପ୍ୟୁଟର ବ୍ୟବହାର ତିନିଘଣ୍ଟାରୁ ଯେପରି ଉର୍ଦ୍ଧ୍ୱ ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇପାରେ ।


 

ସପ୍ତାହରେ ଦିନେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ପରିଦର୍ଶନରୁ କ୍ଷାନ୍ତ ରହିବା, ଫୋନ ବ୍ୟାଟେରୀକୁ ଦୈନିକ ଥରୁଟିଏରୁ ଅଧିକ ବିଦ୍ୟୁତ ଚ଼ାର୍ଜ ନକରିବା ଓ ରାତିରେ ଶୋଇବା ଅଧଘଣ୍ଟା ପୂର୍ବରୁ ସବୁରକମ ଇଲକ୍ଟ୍ରୋନିକ ଉପକରଣରୁ ଦୂରେଇ ରହିବା ନୀତି ବ୍ୟକ୍ତିଗତସ୍ତରରେ ଡ଼ିଜିଟାଲ ଜୀବନ ନିୟନ୍ତ୍ରଣରେ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ ।


 

କମ ବୟସ୍କଙ୍କ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାର ତଥା ତତ୍ଜନିତ ପ୍ରାଦୁର୍ଭାବ ହେତୁ ଆନ୍ତର୍ଜାତିକସ୍ତରରେ ଉଦବେଗ ପ୍ରକାଶ ପାଉଛି । ଟେବଲେଟ ବା ସ୍ମାର୍ଟଫୋନକୁ ବାଲ୍ୟାବସ୍ଥାରୁ ଖେଳନା ରୂପେ ଗ୍ରହଣ କରିନେବା ଏବଂ ଏଥିରେ ପିଲାଏ ଦୀର୍ଘ ସମୟ ନିମଜ୍ଜିରହିବା ମାନସିକ ବିକାଶ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଉଥିବା ଅନେକ ଗବେଷଣାରୁ ପ୍ରମାଣିତ ହେଲାଣି । ଶିଶୁ ଓ ଅଭିଭାବଙ୍କ ମଧ୍ୟରେ ମତାନ୍ତରରେ ଡ଼ିଜିଟାଲ ସଂପୃକ୍ତିକୁ ୩୦ ପ୍ରତିଶତ କାରଣ ରୂପେ ଚ଼ିହ୍ନଟ କରାଯାଉଛି । ଶ୍ରେଣୀଗୃହରେ ଶିକ୍ଷାଦାନ, ମୁଖ୍ୟତଃ ସର୍ଜନଶୀଳତା ଓ ଗଣିତଜ୍ଞାନ ଅଭ୍ୟାସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକାଗ୍ରତା ଅଭାବରୁ ଶିକ୍ଷକମାନେ କ୍ରମଶଃ ଅସହାୟତା ପ୍ରକାଶ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସୃଷ୍ଟ ସଂକଟ ସମାଧାନଲାଗି ଡ଼ିଜିଟାଲ ବିରତି ଉପଯୋଗରେ ଅଭିଭାବକ, ସାମାଜିକ ରୀତିନୀତି ଓ ପ୍ରଯୁକ୍ତି ବିଜ୍ଞାନ ମଧ୍ୟରୁ କିଏ ନେତୃତ୍ୱ ନେବ ତାହା ଏକ ପ୍ରଶ୍ନବାଚ଼ୀ ।                     


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅଗଷ୍ଟ ୨୦୧୮


ତଥ୍ୟ:

 

Frequent digital media use increases risk of ADHD. The Hindu (Cuttack Edition). August 5, 2018 

ଗୁଗୁଲ ଇଣ୍ଡିଆର ନୂତନ ରାଷ୍ଟ୍ରମୁଖ୍ୟ

ଆନ୍ତର୍ଜାତିକ ପ୍ରବାହ ଅନୁସରଣରେ ଭାରତରେ ସୋସିଆଲ ମିଡ଼ିଆ ପ୍ଳାଟଫରମଗୁଡ଼ିକରେ ଭିଡ଼ିଓର ଆଦୃତି କ୍ରମଶଃ ବଢ଼ିବାରେ ଲାଗିଛି । ଭିଡ଼ିଓ ପ୍ରସାରଣରେ ଦେଶରେ ଅଗ୍ରଣୀ ୟୁ-ଟ୍ୟୁବର ସକ୍ରିୟ ଉପଭୋକ୍ତା ‘ଏକ୍ଟିଭ ୟୁଜର୍ସ’ଙ୍କ ସଂଖ୍ୟା ୨୬ କୋଟି ୫୦ ଲକ୍ଷ ହିସାବ କରାଯାଉଥିବା ସ୍ଥଳେ ଫେସବୁକରେ ୩୨ କୋଟି ୮୦ ଲକ୍ଷ ଓ ହ୍ୱାଟସଆପରେ ୪୦ କୋଟି ଉପଭୋକ୍ତା ସଂପୃକ୍ତ । ୟୁ-ଟ୍ୟୁବରେ ମୁଖ୍ୟତଃ ଉପଭୋକ୍ତା କିମ୍ୱା ତୃତୀୟ ପକ୍ଷଙ୍କ ଦ୍ୱାରା ପ୍ରଯୋଜିତ ଭିଡ଼ିଓ ଅପଲୋଡ଼ କରାଯାଉଥିବା ସ୍ଥଳେ ଫେସବୁକରେ ପାଠ୍ୟ ଓ ଚିତ୍ର ସହ ଭିଡ଼ିଓ କ୍ରମଶଃ ଯୋଡ଼ି ହେଲାଣି । ହ୍ୱାଟସଆପ ଯୋଗେ ଉପଭୋକ୍ତାମାନେ ଭିଡ଼ିଓ ଆଦାନପ୍ରଦାନ କରୁଥିବା ହେତୁ ଏହା ମଧ୍ୟ ଭିଡ଼ିଓ ପ୍ରସାରଣ ତଥା ପ୍ରଦର୍ଶନ ମଞ୍ଚ ରୂପେ ପରିଗଣିତ ।


 

ଭାରତରେ ସକ୍ରିୟ ୮୦୦ରୁ ଉର୍ଦ୍ଧ୍ୱ ଟେଲିଭିଜନ ଚ୍ୟାନେଲ ମଧ୍ୟରୁ ଅନେକ ଡ଼ିଜିଟାଲ ପରିବେଶରେ ଉପସ୍ଥିତି ଜାହିର କରୁଥିବା ସ୍ଥଳେ ଓଟିଟି ‘ଓଭର-ଦି-ଟପ’ ପର୍ଯ୍ୟାୟରେ ହଟଷ୍ଟାର, ଜୀ-୫, ଏରସ ନାଓ, ଆଲଟ ବାଲାଜୀ, ସୋନୀ ଲିଭ, ଭୁତ, ଭିଉ, ଡିଟୋ ସହ ନେଟଫ୍ଳିକ୍ସ, ଆମେଜନ ପ୍ରାଇମ ଭିଡ଼ିଓ ଇତ୍ୟାଦି ଭିଡ଼ିଓ ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏଗୁଡ଼ିକ ମଧ୍ୟରେ ହଟଷ୍ଟାରର ଦର୍ଶକ ସଂଖ୍ୟା ସର୍ବାଧିକ । ହଟଷ୍ଟାରର ଉପଭୋକ୍ତା ସଂଖ୍ୟା ୨୦ କୋଟି ଥିବା ସ୍ଥଳେ କ୍ରୀଡ଼ା କାର୍ଯ୍ୟକ୍ରମ ସିଧା ପ୍ରସାରଣ ଅବସରରେ ୩୦ କୋଟି ଛୁଉଁଥିବା ଦାବୀ କରାଯାଏ ।


 

ନେଟଫ୍ଳିକ୍ସ ଭଳି ମଞ୍ଚକୁ ବାଦଦେଲେ ସମସ୍ତ ଓଟିଟି ବ୍ୟବସାୟ ବିଜ୍ଞାପନ ଆଶ୍ରିତ । ଉଦାହରଣରେ ହଟଷ୍ଟାରର ବ୍ୟବସାୟ ଉଭୟ ଗ୍ରାହକ ଦେୟ ଓ ବିଜ୍ଞାପନ ଆୟକୁ ଆଧାର କରି ଗଢ଼ି ଉଠିଥିବା ସ୍ଥଳେ ଗ୍ରାହକ ଦେୟରୁ ଆୟ ମାତ୍ର ତିନିରୁ ଚାରି ପ୍ରତିଶତ ମଧ୍ୟରେ ସୀମିତ । ଅର୍ଥାତ ଭାରତର ସର୍ବାଧିକ ଲୋକପ୍ରିୟ ଓଟିଟି ମଞ୍ଚ ପ୍ରାୟତଃ ବିଜ୍ଞାପନ ଆୟ ଉପରେ ନିର୍ଭରଶୀଳ । ଦେଶରେ ଓଟିଟି ଉପଭୋକ୍ତାଙ୍କ ସଂଖ୍ୟା ତଥା ଡିଜିଟାଲ ମଞ୍ଚଗୁଡ଼ିକରେ ବିଜ୍ଞାପନ ବ୍ୟୟ ବୃଦ୍ଧି ପାଇଚାଲିଥିବା ଅବସରରେ ଭିଡ଼ିଓ ପ୍ରସାରଣ ମଞ୍ଚଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଯୋଗିତାର ପୂର୍ବାଭାଷ ସୂଚିତ ହୋଇଥାଏ ।


 

ନଭେମ୍ବର ୨୦୧୯ ପ୍ରଥମ ସପ୍ତାହରେ ହଟଷ୍ଟାରର ରାଷ୍ଟ୍ରୀୟ ପରିଚାଳକ ସଞ୍ଜୟ ଗୁପ୍ତା ଷ୍ଟାର ଓ ଡିସନି ଇଣ୍ଡିଆ ଗୃପ ସହ ଦଶ ବର୍ଷର ସଂପର୍କ ତୁଟାଇ ଗୁଗୁଲ ଇଣ୍ଡିଆର ରାଷ୍ଟ୍ରମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି । ଗଣମାଧ୍ୟମ ସମୀକ୍ଷକମାନଙ୍କ ମତରେ ସଞ୍ଜୟ ଗୁପ୍ତା ହଟଷ୍ଟାରର ବିନ୍ଧାଣୀ । ହଟଷ୍ଟାରର ଉପଭୋକ୍ତାଙ୍କ ସଂଖ୍ୟା ୨୦ କୋଟିରେ ପହଞ୍ଚିଥିବା ସ୍ଥଳେ ଦ୍ୱିତୀୟ ସ୍ଥାନ ଅଧିକାର କରୁଥିବା ଜୀ-୫ର ଉପଭୋକ୍ତା ସଂଖ୍ୟା ମାତ୍ର ୭ କୋଟି ୫୦ ଲକ୍ଷ । ଭାରତ ଭଳି ବଜାରରେ ଓଟିଟି ବ୍ୟବସାୟ ତିଷ୍ଠିବା ଅସଂଭବ ବୋଲି ବିଚାର କରାଯାଉଥିବା ଅବସରରେ ହଟଷ୍ଟାର ନିଜସ୍ୱ ସ୍ଥିତିକୁ ସୁଦୃଢ଼ କରିପାରିଥିବା ଶ୍ରେୟ ସଞ୍ଜୟ ଗୁପ୍ତାଙ୍କୁ ଦିଆଯାଏ ।


 

ଡ଼ିଜିଟାଲ ପରିବେଶରେ ବିଜ୍ଞାପନ ଆହରଣ ଦୌଡ଼ରେ ହଟଷ୍ଟାରର ମୁଖ୍ୟ ପ୍ରତିଦ୍ଵନ୍ଦୀ ରୂପେ ୟୁ-ଟ୍ୟୁବ ଓ ଫେସବୁକକୁ ଚ଼ିହ୍ନଟ କରାଯାଏ । ସଞ୍ଜୟ ଗୁପ୍ତା ହଟଷ୍ଟାରରୁ ୟୁ-ଟ୍ୟୁବକୁ ସ୍ଥାନାନ୍ତରିତ ହେଉଥିବା ବେଳେ ଫେସବୁକ ପରିଚାଳନା ନିର୍ଦ୍ଦେଶକ ଅଜିତ ମୋହନ ମଧ୍ୟ ହଟଷ୍ଟାରର ଜଣେ ପୂର୍ବତନ ବରିଷ୍ଠ କର୍ମଚାରୀ । ହଟଷ୍ଟାରକୁ ଓଟିଟି ମଞ୍ଚରୂପେ ଗଢ଼ି ତୋଳିବାରେ ତାଙ୍କରି ମଧ୍ୟ ବଳିଷ୍ଠ ଅବଦାନ ରହିଥିଲା । ବର୍ତ୍ତମାନ ହଟଷ୍ଟାର ସହ ଏହାକୁ ଗଢ଼ିଥିବା ଦୁଇ କର୍ମକର୍ତ୍ତାଙ୍କ ନେତୃତ୍ଵରେ ପରିଚାଳିତ ୟୁ-ଟ୍ୟୁବ ଓ ଫେସବୁକ ବିଜ୍ଞାପନ ଆୟର ଲଢ଼େଇ ଏକ ନୂତନ ସମୀକରଣ ସୃଷ୍ଟି କରିବ । କାରଣ ତିନିଗୋଟି ପ୍ରତିଯୋଗୀଙ୍କ ବ୍ୟାବସାୟିକ ଆଭିମୁଖ୍ୟ ଊଣାଅଧିକେ ସମାନ ହେବା ଆଶା କରାଯାଇପାରେ ।


 

ଡ଼ିଜିଟାଲ ମଞ୍ଚଗୁଡ଼ିକରେ ଉପଭୋକ୍ତାଙ୍କ ସଂଖ୍ୟା ଓ ଉପସ୍ଥିତି ସମୟସୀମା ବିଜ୍ଞାପନଦାତାଙ୍କୁ ପ୍ରଭାବିତ କରିଥାଏ । ଅର୍ଥାତ ଯେଉଁ ମଞ୍ଚଗୁଡ଼ିକରେ ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ଓ ଯେଉଁ ବିଭବଗୁଡ଼ିକରେ ଉପଭୋକ୍ତାମାନେ ଅଧିକ ସମୟ ଅତିବାହିତ କରିଥାନ୍ତି ସେହି ପୃଷ୍ଠଭୂମିରେ ଅଧିକ ପରିମାଣରେ ବିଜ୍ଞାପନ ପ୍ରଦର୍ଶିତ ହୋଇଥାଏ ତଥା ବିଜ୍ଞାପନ ଆୟ ବଢ଼ିଥାଏ । ୟୁ଼-ଟ୍ୟୁବ ଓ ଫେସବୁକ ଆନ୍ତର୍ଜାତିକସ୍ତରର ଡ଼ିଜିଟାଲ ମଞ୍ଚ ହେଲେହେଁ ଉପଭୋକ୍ତା ସୃଷ୍ଟି ଓ ବିଜ୍ଞାପନ ଆୟ ବୃଦ୍ଧି ନିମନ୍ତେ ସ୍ଥାନୀୟ ପରିବେଶକୁ ଲକ୍ଷ୍ୟରଖି ବ୍ୟାବସାୟିକ ରଣନୀତି ପ୍ରସ୍ତୁତ କରାଯାଇଥାଏ । ଏଦିଗରେ ସଞ୍ଜୟ ଗୁପ୍ତା ଓ ଅଜିତମୋହନଙ୍କ ନେତୃତ୍ୱ ପ୍ରଭାବିତ କରିବା ସୁସ୍ପଷ୍ଟ ।


 

ଦେଶରେ ଇଣ୍ଟରନେଟ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ପ୍ରସାର ଲାଭ କରୁଥିବା ଏବଂ ଗ୍ରାମାଞ୍ଚଳରେ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ବ୍ୟବହାରର ତଥା ଇଂଲିଶ ଓ ହିନ୍ଦି ଭିନ୍ନ ଭାରତୀୟ ଭାଷାଗୁଡ଼ିକରେ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ୟୁ-ଟ୍ୟୁବ, ଫେସବୁକ ଓ ହଟଷ୍ଟାର ଭଳି ଭିଡ଼ିଓ ପ୍ରସାରଣ ମଞ୍ଚଗୁଡ଼ିକରେ ନୂତନ ପରିଚାଳକ ନିଯୁକ୍ତି ନିଜ ନିଜ ମଞ୍ଚଗୁଡ଼ିକରେ ଆଞ୍ଚଳିକତା ପରିପ୍ରକାଶ ପ୍ରତି ଗୁରୁତ୍ୱାରୋପ କରିବା ଅନୁମାନ କରାଯାଇପାରେ । ଏତଦ୍ବ୍ୟତୀତ ମୌଳିକ ଭିଡ଼ିଓ ‘ଓରିଜିନାଲ କଣ୍ଟେଣ୍ଟ’ ପ୍ରସ୍ତୁତି ଓ ପ୍ରଦର୍ଶନକୁ ଅଗ୍ରାଧିକାର ଦିଆଯାଇପାରେ । ସଂଜୟ ଗୁପ୍ତା ଓ ଅଜିତ ମୋହନ ସୂଚନା ଓ ମନୋରଞ୍ଜନ ପରିଧିରେ ବ୍ୟକ୍ତି, ପରିବାର ଓ ଗୋଷ୍ଠୀକୁ ପ୍ରାଧାନ୍ୟ ଦେବା ସ୍ୱୀକାର କରିଛନ୍ତି । ଏହାଫଳରେ ଗଣମାଧ୍ୟମର ପାରମ୍ପରିକ ଆଙ୍ଗୀକ ସଂପୂର୍ଣ୍ଣ ପରିବର୍ତ୍ତନ ହେବା ଆଶା କରାଯାଇପାରେ ।


 

ସଞ୍ଜୟ ଗୁପ୍ତା ଷ୍ଟାର ଗୃପରେ ଯୋଗ ଦେବା ପୂର୍ବରୁ ହିନ୍ଦୁସ୍ତାନ ଲିଭର ଓ ଭାରତୀ ଏୟରଟେଲରେ କାର୍ଯ୍ୟ କରୁଥିଲେ । ସେ ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରିଂ ଓ ଇଣ୍ଡିଆନ ଇନଷ୍ଟିଟିଉଟ ଅଫ ମ୍ୟାନେଜମେଣ୍ଟ କୋଲକତାର ଛାତ୍ର । ଷ୍ଟାର ଓ ଡିସନି ଇଣ୍ଡିଆର ମୁଖ୍ୟ ଉଦୟ ଶଙ୍କର ହଟଷ୍ଟାରରୁ ଗୁପ୍ତାଙ୍କ ବିଦାୟ ଅବସରରେ ଭୂୟସୀ ପ୍ରଶଂସା କରିଛନ୍ତି । ତେବେ ହଟଷ୍ଟାରର ମୌଳିକ ବିଜ୍ଞାପନ ସଂଗ୍ରହ ନୀତି ପ୍ରଣୟନ କରିଥିବା ସଞ୍ଜୟ ଗୁପ୍ତା ଓ ଅଜିତ ମୋହନଙ୍କ ଅନୁପସ୍ଥିତି ତଥା ପ୍ରତିଯୋଗୀ ମଞ୍ଚରେ ଆବିର୍ଭାବ ହଟଷ୍ଟାରର ବ୍ୟାବସାୟିକ ରଣନୀତିରେ ବଡ଼ ଧରଣର ପରିବର୍ତ୍ତନ ମଧ୍ୟ ସଂଭବପର ।


 

ସୋସିଆଲ ମିଡ଼ିଆର ଲୋକପ୍ରିୟତା ବୃଦ୍ଧି ଅପରପକ୍ଷରେ ଏହାର ଦୁରୁପୋଯୋଗର କାରଣ ପାଲଟୁଥିବା ଅବସରରେ ମଞ୍ଚଗୁଡ଼ିକର ପରିଚାଳନା ଲାଗି ଶକ୍ତ ଆଇନକାନୁନ ପ୍ରଣୟନର ଆବଶ୍ୟକତା ସୃଷ୍ଟି କରିଛି । ଓଟିଟି ବୈଷୟିକ କୌଶଳ ଅତ୍ୟାଧୁନିକ ବୈଜ୍ଞାନିକ ଉଦ୍ଭାବନ ପର୍ଯ୍ୟାୟଭୁକ୍ତ ଥିବା ସ୍ଥଳେ ଏଗୁଡ଼ିକର ସାମାଜିକ ନିୟନ୍ତ୍ରଣ ଧାରା କ୍ରମଶଃ ବିକଶିତ ହେଉଛି । ଏହି ପରିବେଶ ସଂପୃକ୍ତ ମଞ୍ଚଗୁଡ଼ିକର ପରିଚାଳନା ନିମନ୍ତେ ନୂତନ ଆହ୍ୱାନ ସୃଷ୍ଟି କରିବା ସ୍ୱାଭାବିକ । ଭିଡ଼ିଓ ସର୍ବାଧିକ ଲୋକପ୍ରିୟ ଗଣମାଧ୍ୟମ ରୂପେ ପ୍ରବର୍ତ୍ତିତ ହେଉଥିବା ଅବସରରେ ଏହାର ପ୍ରଯୋଜନା ନୂତନ ବ୍ୟାକରଣ ଆବଶ୍ୟକ କରେ ।                      


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ନଭେମ୍ୱର ୨୦୧


ତଥ୍ୟ:

 


Das, Surajeet & Neha Alawadhi. Hot Star to You Tube, he stays in OTT game. Business Standard (Bhubaneswar Edition) November 9 / 10, 2019.


ଗୁଗୁଲ ଫର ଇଣ୍ଡିଆ ୨୦୨୨

ଭାରତରେ ୨୦୨୨ ଶେଷ ସୁଦ୍ଧା ଅଗ୍ରଣୀ ଡ଼ିଜିଟାଲ ମଞ୍ଚ ‘ଗୁଗୁଲ’ ଆକଳନରେ ପ୍ରାୟ ସତୁରି କୋଟି ଜନସାଧାରଣ ଇଣ୍ଟରନେଟ ସଂଯୁକ୍ତ । କୁହାଯାଉଛି ଯେ ଦେଶର ଏଣିକି ପ୍ରତି ଦଶ ଜଣ ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ନଅ ଜଣ ଆଞ୍ଚଳିକ ଭାଷାରେ ଡିଜିଟାଲ ମଞ୍ଚ ବ୍ୟବହାର କରିବା ନିମନ୍ତେ ଆଗ୍ରହୀ । ଭାରତୀୟ ଅନଲାଇନ ଉପତ୍ୟକାରେ ବହୁ ସଂଖ୍ୟକ ଭାଷା ବ୍ୟବହାର ଆକାଂକ୍ଷାକୁ ଚ଼ରିତାର୍ଥ କରିବା ନିମନ୍ତେ ‘ଗୁଗୁଲ’ ପକ୍ଷରୁ ଅଗ୍ରାଧୀକାର ଦିଆଯାଉଥିବା ବିଶଦ ବିବରଣୀ ୨୦୨୨ ଡ଼ିସେମ୍ୱର ଦ୍ୱିତୀୟାର୍ଦ୍ଧରେ ନୂଆଦିଲ୍ଲୀଠାରେ ଆୟୋଜିତ ‘ଗୁଗୁଲ ଫର ଇଣ୍ଡିଆ’ର ଅଷ୍ଟମ ଅଧିବେଶନରେ କମ୍ପାନୀର ସିଇଓ ସୁନ୍ଦର ପିଚାଇ ଉପସ୍ଥାପନ କରିଥିଲେ ।

 

ଦେଶର ୭୭୩ ଜିଲ୍ଲାରେ କଥିତ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଭାଷାରେ ପାଠ୍ୟ ଓ ଶ୍ରାବ୍ୟ ବ୍ୟବହାର ନିମନ୍ତେ ସୁଯୋଗ ସୃଷ୍ଟି ନିମନ୍ତେ ‘ଗୁଗୁଲ’ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି । କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଉପଯୋଗରେ ଗୋଟିଏ ଭାଷାରେ ପ୍ରସ୍ତୁତ ଉପାଦାନ କିପରି ର୍ନିବିଘ୍ନରେ ଅନ୍ୟ ଭାଷାଗୁଡ଼ିକୁ ଅନୁବାଦ ହୋଇପାରିବ ସେଦିଗରେ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିନିମନ୍ତେ ବାଙ୍ଗାଲୁରର ‘ଇଣ୍ଡିଆନ ଇନଷ୍ଟିଟିଉଟ ଅଫ ସାଇନ୍ସ’ର ‘ପ୍ରୋଜେକ୍ଟ ବାଣୀ’ ସହ ‘ଗୁଗୁଲ’ ଚୁକ୍ତି କରିଛି । ଭାରତ ସରକାରଙ୍କ ‘ଭାଷିନୀ’ ପ୍ରକଳ୍ପରେ ଏହି ସୁଯୋଗ ଉପଲବ୍ଧ କରାଇବା କାର୍ଯ୍ୟକ୍ରମ ରହିଛି ।

 

‘ଗୁଗୁଲ’ ପକ୍ଷରୁ କେତେଗୋଟି ନିର୍ବାଚ଼ିତ ଭାରତୀୟ ଭାଷାରେ ଅନୁବାଦ ସେବା ବହୁ ପୂର୍ବରୁ ଆରମ୍ଭ କରାଯାଇଛି । ସେଥିମଧ୍ୟରେ ଓଡ଼ିଆ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ଇଂଲିଶରୁ ଓଡ଼ିଆ କିମ୍ୱା ଓଡ଼ିଆରୁ ଇଂଲିଶ ତଥା ଅନ୍ୟାନ୍ୟ ଭାଷାରେ ଅନୁବାଦର ମାନ ନିମ୍ନସ୍ତରରେ ରହୁଥିବା ଅଭିଯୋଗ ହୋଇଆସୁଥିଲା । ‘ପ୍ରୋଜେକ୍ଟ ବାଣୀ’ରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଉପଯୋଗ କରାଯାଇ ଇଚ୍ଚମାନର ଅନୁବାଦ ସମ୍ଭବ ହେବା ଆଶା କରାଯାଉଛି । ଅତଏବ ନିକଟ ଭବିଷ୍ୟତରେ ଓଡ଼ିଆ ଭାଷାରେ ଅନଲାଇନ ମଞ୍ଚଗୁଡ଼ିକରେ ଉପଲବ୍ଧ ରଚ଼ନା ସମୂହ ଇଂଲିଶ, ହିନ୍ଦି, ବଙ୍ଗଳା, ତେଲୁଗୁ ତଥା ଅନ୍ୟାନ୍ୟ ଭାଷାଭାଷୀ ପାଠକ ଓ ଶ୍ରୋତା ନିଜ ଭାଷାରେ ଅନୁବାଦ ଉପରେ ନିର୍ଭର କରିପାରିବେ । ଏପରିକି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବ୍ୟବହୃତ କେତେକ ଉପ-ଭାଷାରେ ମଧ୍ୟ ଅନୁବାଦ ଉପଲବ୍ଧ ହେବ ।

 

‘ପ୍ରୋଜେକ୍ଟ ବାଣୀ’ର ସଫଳ ରୂପାୟନ ଲାଗି ‘ଗୁଗୁଲ’ ପକ୍ଷରୁ ‘ଇଣ୍ଡିଆ ଡ଼ିଜିଟାଇଜେସନ ଫଣ୍ଡ’ ମାଧ୍ୟମରେ ପର୍ଯ୍ୟାପ୍ତ ନିବେଶ କରାଯିବ । ନୂତନ ଅନୁବାଦ ସଫଟୱେର ପ୍ରସ୍ତୁତିରେ ‘ମେସିନ-ଲେର୍ଣ୍ଣିଂ’ ବୈଷୟିକ କୌଶଳ ଉପଯୋଗ ଫଳରେ ଅନୁବାଦ ଦକ୍ଷତା ବହୁଗୁଣ ବଢ଼ିଯିବା ନିଶ୍ଚିତ । ଏହି ବିଭବ ଭାରତୀୟ ଆଞ୍ଚଳିକ ସାମ୍ୱାଦିକତା ଓ ସାହିତ୍ୟ ପରିଧିରେ ନୂତନ ଅଧ୍ୟାୟ ସୃଷ୍ଟି କରିବ । ଓଡ଼ିଆ ଭଳି କୌଣସି ଆଞ୍ଚଳିକ ଭାଷାରେ ଉଚ୍ଚମାନର ସୃଜନ ପ୍ରକାଶିତ ହେଲେ ଯାନ୍ତ୍ରିକ ଅନୁବାଦ ହାତପାଆନ୍ତାରେ ଉପଲବ୍ଧ ହେବା ଫଳରେ ବିଶ୍ୱର ସମସ୍ତ ଭାଷାରେ ପ୍ରଭାବ ବିସ୍ତାର କରିବା ସମ୍ଭବ । ସେହିପରି ଓଡ଼ିଆ ପାଠକମାନେ ଆନ୍ତର୍ଜାତିକସ୍ତରର ଯେକୌଣସି କୃତୀ ଅନାୟସରେ ଓଡ଼ିଆ ଭାଷାରେ ଆହରଣ କରିବା ସୁବିଧା ପାଇପାରିବେ ।

 

ଭାରତରେ ଭାଷା ବୈଷମ୍ୟକୁ କେନ୍ଦ୍ର କରି ବିଭିନ୍ନ ସ୍ତରରେ ସଂଘର୍ଷ ଲାଗି ରହିଥାଏ । ଦେଶର ଅର୍ଦ୍ଧାଧିକ ନାଗରିକ ୨୦୨୩ ସୁଦ୍ଧା ସ୍ମାର୍ଟଫୋନ ଯୋଗେ ଯେକୌଣସି ଭାଷାରେ ଯୋଗାଯୋଗ ସୁବିଧା ହାସଲ କରିସାରିବା ପରେ ଭାଷାକୁ ନେଇ ରାଜନୀତି ଗୁରୁତ୍ୱ ହରାଇବା ଆଶା କରାଯାଇପାରେ । ସେହିପରି ସ୍ଥଳବିଶେଷରେ ଭାଷାକୁ ଆଳ କରି ନିମ୍ନମାନର ସୃଜନ ନିର୍ଦ୍ଧିଷ୍ଟ ଭୌଗଳିକ ପରିସୀମାରେ ପ୍ରଭାବ ବିସ୍ତାର କରିଚାଲିଥିବା ଅବସରରେ ଆନ୍ତର୍ଜାତିକସ୍ତରର ଉନ୍ନତ ମାନର ସୃଜନ ସର୍ବସାଧାରଣରେ ପ୍ରସାରର ସୁଯୋଗ ଜନଜୀବନରେ ଉଭୟ ସାମ୍ୱାଦିକତା ଓ ସାହିତ୍ୟର ମୂଲ୍ୟବୋଧ ବୃଦ୍ଧିରେ ସହାୟକ ହୋଇପାରିବା ଆଶା କରାଯାଇପାରେ । ଅବଶ୍ୟ ଏହି ସୁବିଧା ସୁଯୋଗ ପୂର୍ବ ଅଭିଜ୍ଞତା ପ୍ରକାରେ ଭଲ ଦିଗରେ ଯିବ ନା ଖରାପ ଦିଗରେ ଯିବ ତାହାର ପୂର୍ବାନୁମାନ ମୂସ୍କିଲ ବ୍ୟାପାର !

 

ଅନଲାଇନ ମଞ୍ଚରେ ଭିଡ଼ିଓ ଓ ଅଡ଼ିଓରେ ଲୋକପ୍ରିୟତା ବଢ଼ିଚାଲିଛି । ବିକଶିତ ରାଷ୍ଟ୍ରଗୁଡ଼ିକରେ ଆୟୋଜିତ ସର୍ବେକ୍ଷଣମାନଙ୍କୁ ଜଣାଯାଉଛି ସମ୍ୱାଦ ପଠନ ବଦଳରେ ଶୁଣିବା ବା ଦେଖିବା ପାଇଁ ଡ଼ିଜିଟାଲ ମଞ୍ଚରେ ଭିଡ଼ ଲାଗି ରହୁଛି । ‘ଗୁଗୁଲ’ ପରିଚାଳିତ ‘ୟୁଟ୍ୟୁବ’ ଭିଡ଼ିଓ ସେୟାରିଂରେ ଆନ୍ତର୍ଜାତିକସ୍ତରରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ସ୍ଥଳେ ଭିଡ଼ିଓ ଅନୁବାଦକୁ ସ୍ୱୟଂକ୍ରିୟ କରିବା ନିମନ୍ତେ ‘ଏଲାଉଡ଼’ ନାମକ ଏକ ଭିଡ଼ିଓ ଡବିଂ ସୁବିଧା ଯୋଗାଇ ଦିଆଯିବା ବିଷୟ ‘ଗୁଗୁଲ ଫର ଇଣ୍ଡିଆ ୨୦୨୨’ରେ ଘୋଷିତ ହୋଇଛି । ପରୀକ୍ଷାମୂଳକଭାବେ ଭାରତରେ ଏହି ବିଭବ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ଭିଡ଼ିଓ ପ୍ରଯୋଜକଙ୍କୁ ଯୋଗାଇ ଦିଆଯାଇଛି । ଏହି ସଫଟୱେର ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଓ ମେସିନ ଲେର୍ଣ୍ଣିଂ ବୈଷୟିକ କୌଶଳ ଉପଯୋଗରେ କାର୍ଯ୍ୟ କରିବ, ସଂପୂର୍ଣ୍ଣ ସ୍ୱୟଂକ୍ରିୟ ଓ ମାଗଣାରେ ଯୋଗାଇ ଦିଆଯିବା ବ୍ୟବସ୍ଥା ହୋଇଥିବା ପ୍ରକାଶ ।

 

‘ୟୁଟ୍ୟୁବ’ରେ ‘କୋର୍ସେସ’ ନାମରେ ଏକ ନୂତନ ବିଭବ ସନ୍ନିବଶିତ ହେବ । ଏହି ଶୃଙ୍ଖଳାରେ ସ୍ୱଳ୍ପ ଓ ଦୀର୍ଘ ଅବଧିର ପାଠ୍ୟକ୍ରମ ପ୍ରସାରଣର ସୁଯୋଗ ରହିବ । ଶିକ୍ଷକମାନେ ଭିଡ଼ିଓ ସାଙ୍ଗକୁ ଅଡ଼ିଓ ଓ ଟେକ୍ସଟ ଶିକ୍ଷାର୍ଥୀମାନଙ୍କୁ ମଞ୍ଚ ମାଧ୍ୟମରେ ବିତରଣ କରିପାରିବେ । ଭାରତରେ ୨୦୨୩ରେ ଆରମ୍ଭ ହେବାକୁ ଯାଉଥିବା ‘କୋର୍ସେସ’ ମଞ୍ଚରେ ଅଧ୍ୟୟନ ଲାଗି ଉଭୟ ମାଗଣା ଓ ଦେୟଯୁକ୍ତ ପାଠ୍ୟକ୍ରମମାନ ସାମିଲ ହେବ । ‘ୟୁଟ୍ୟୁବ’ରେ ଭିଡ଼ିଓ ପ୍ରଦର୍ଶନ ମାଧ୍ୟମରେ ଶିକ୍ଷାଦାନ ଦୀର୍ଘ ସମୟ ଧରି ଲୋକପ୍ରିୟ ହୋଇସାରିଥିବା ସ୍ଥଳେ ‘କୋର୍ସେସ’ ଭଳି ସଂଗଠିତ ବ୍ୟବସ୍ଥା ଶିକ୍ଷାଦାନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିବା ସମ୍ଭାବନା ରହିଛି । ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା ଓ ଦକ୍ଷିଣ କୋରିଆରେ ‘ଗୁଗୁଲ’ ପକ୍ଷରୁ ‘କୋର୍ସେସ’ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ ।

 

‘ଗୁଗୁଲ ଫର ଇଣ୍ଡିଆ ୨୦୨୨’ ଅବସରରେ ‘ଗୁଲଲ’ ପକ୍ଷରୁ କୃଷି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ବୈଷୟିକ କୌଶଳ ଉପଯୋଗ ସଂପର୍କରେ ସମ୍ୟକ ସୂଚ଼ନା ଦିଆଯାଇଥିଲା । ନିରକ୍ଷର ତଥା ଅଳ୍ପଶିକ୍ଷିତ ବର୍ଗ ଟେକ୍ସଟ ବଦଳରେ ସ୍ପିଚ଼ ମାଧ୍ୟମରେ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ପହଞ୍ଚୁଥିବା ସ୍ଥଳେ ଅନେକ ସମୟରେ ଉପଭୋକ୍ତାଙ୍କ ସ୍ପଷ୍ଟ ଉଚ୍ଚାରଣ ଅଭାବରୁ ସମସ୍ୟା ଉପୁଜିଥାଏ । ଅସ୍ପଷ୍ଟ ଉଚ୍ଚାରଣଜନିତ ଅସୁବିଧା ଦୂର କରିବା ନିମନ୍ତେ ‘ଗୁଗୁଲ’ ପକ୍ଷରୁ ନୂତନ ବୈଷୟିକ କୌଶଳ ଉପଯୋଗ କରାଯାଉଥିବା ଘୋଷଣା କରାଯାଇଥିଲା । ସୁନ୍ଦର ପିଚାଇ କହିଥିଲେ ଯେ ଭାରତରେ ଇଣ୍ଟରନେଟ ମୁକ୍ତ ଓ ପରିବ୍ୟାପ୍ତ ଥିବା ହେତୁ ଜ୍ଞାନ ରପ୍ତାନୀ କ୍ଷେତ୍ରରେ ଆନ୍ତର୍ଜାତିକସ୍ତରରେ ଅଗ୍ରଣୀ ରହିଛି । ସେ ସୂଚାଇଥିଲେ ଯେ ଦେଶରେ କେବଳ ‘ୟୁଟ୍ୟୁବ’ର ବ୍ୟବହାର ଯୋଗୁଁ ୨୦୨୧ରେ ବର୍ଷକ ମଧ୍ୟରେ ୭ ଲକ୍ଷ ୫୦ ହଜାର କର୍ମନିଯୁକ୍ତି ଓ ଦଶ ହଜାର କୋଟି ଟଙ୍କା ଆୟ ସମ୍ଭବ ହୋଇପାରିଥିବା ବ୍ରିଟେନର ଗବେଷଣା ସଂସ୍ଥା ଅକ୍ସଫୋର୍ଡ ଇକନୋମିକ୍ସ ପକ୍ଷରୁ ହିସାବ କରାଯାଇଛି । ଡ଼ିସେମ୍ୱର ୨୦୨୨ରେ ଆୟୋଜିତ ‘ଗୁଗୁଲ ଫର ଇଣ୍ଡିଆ ୨୦୨୨’ ପରବର୍ତ୍ତୀ ବର୍ଷ ୨୦୨୩ରେ ଡ଼ିଜିଟାଲ ଇଣ୍ଡିଆ ନିମନ୍ତେ ପ୍ରେରଣାଦାୟୀ ବିବେଚ଼ନା କରାଯାଏ ।                       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୩ ଡ଼ିସେମ୍ୱର ୨୦୨୨


ତଥ୍ୟ:

 


Google for India 2022 : Using AI to make Google more helpful, Secure and private for India’s changing digital needs.

 

https://blog.google/intl/en-in/company-news/outreach-initiatives/google-for-india-2022-main-blog/

ଡିଜିଟାଲ ମଞ୍ଚ 'ଦି କୁଇଣ୍ଚ'

ଭାରତୀୟ ଗଣମାଧ୍ୟମ ପରିଧିରେ ରାଘବ ଭାଲ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ‘ଦୂରଦର୍ଶନ’ରେ ୧୯୮୫ରୁ ବୃତ୍ତିଗତ ଜୀବନ ଆରମ୍ଭ କରି ସେ ୧୯୯୩ରେ ‘ନେଟୱାର୍କ ୧୮ ଗୃପ’ ଗଢ଼ିଥିଲେ । ଦେଶରେ ଡ଼ିଜିଟାଲ ମଞ୍ଚ ବିକାଶର ପ୍ରଥମାବସ୍ଥାରେ ଆଇବିଏନ ଲାଇଭ, ମନି କଣ୍ଟ୍ରୋଲ, ବୁକ ମାଇ ସୋ ଓ ହୋମ ସପ ୧୮ ସହ ଟିଭି ଚ୍ୟାନେଲ ‘କଲର୍ସ’ ଇତ୍ୟାଦି ତାଙ୍କରି କୃତିତ୍ୱ । ୨୦୧୧ ଶେଷ ଭାଗରେ ବ୍ୟବସାୟ କ୍ଷତିର ସମ୍ମୁଖୀନ ହେବା ପରେ ବ୍ୟାଙ୍କ ସୂତ୍ରରୁ ଋଣ ପାଇବାରେ ବିଫଳ ହୋଇ ସେ ରିଲାଏନ୍ସ ଇଣ୍ଡାଷ୍ଟ୍ରୀଠାରେ ନିବେଶ ନିମନ୍ତେ ଶରଣାପନ୍ନ ହୋଇଥିଲେ । ଶେଷରେ ରିଲାଏନ୍ସ ୨୦୧୪ରେ ‘ନେଟୱାର୍କ ୧୮’ ଅଧିଗ୍ରହଣ କରିନେଇଥିଲା । ରାଘବ ଦ୍ୱିତୀୟ ପର୍ଯ୍ୟାୟରେ ‘କୁଇଣ୍ଟଲିନ ମିଡ଼ିଆ’ ନାମକ ଏକ ନୂତନ ଡିଜିଟାଲ ମଞ୍ଚ ଆରମ୍ଭ କରିଥିଲେ ।


 

କୁଇଣ୍ଟଲିନ ମିଡ଼ିଆ ପକ୍ଷରୁ ଏକ ଭିନ୍ନ ସ୍ୱାଦର ଇଂଲିଶ ଡିଜିଟାଲ ସମ୍ୱାଦ ମଞ୍ଚ ‘ଦି କୁଇଣ୍ଟ’ ୨୦୧୫ରେ ଆତ୍ମପ୍ରକାଶ କଲା । ଏଥିରେ ମୁଖ୍ୟତଃ ସୂଚ଼ନା ଓ ଶିକ୍ଷାଧର୍ମୀ ସମ୍ୱାଦ ପରିବେଷଣକୁ ପ୍ରାଧାନ୍ୟ ଦିଆଗଲା । ‘ଦି କୁଇଣ୍ଟ’ ୨୦୧୬ରେ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥା ‘ବୁମବର୍ଗ’ ସହ ସହବନ୍ଧିତ ହେଲା । ‘ଦି କୁଇଣ୍ଟ’ ସହ ହିନ୍ଦି କୁଇଣ୍ଟ, ଫିଟ, ୟୁଥ-କୀ-ଆୱାଜ, ଦି ନ୍ୟୂଜ ମିନିଟ, କୁଇଣ୍ଟ ଟାଇପ ଭଳି ସମ୍ୱାଦଭିତ୍ତିକ ଡିଜିଟାଲ ମଞ୍ଚରେ ରାଘବ ଭାଲ ନିଜ ପତ୍ନୀ ରିତୁ କପୁରଙ୍କ ସହ ନିବେଶ କରିଥିଲେ । ୨୦୨୦ର ଶେଷ ଦୁଇ ଓ ୨୦୨୧ର ପ୍ରଥମ ଦୁଇ ତ୍ରୈୟମାସିକ ଆର୍ଥିକ ହିସାବରେ ‘ଦି କୁଇଣ୍ଟ’ ବ୍ୟବସାୟ କ୍ଷେତ୍ରରେ ଲାଭଜନକସ୍ଥିତିରେ ପହଞ୍ଚି ପାରିଥିବା କୁହାଯାଉଛି ।


 

ଡିଜିଟାଲ ମଞ୍ଚ ଗବେଷଣା ପ୍ରତିଷ୍ଠାନ ‘କମସ୍କୋର’ ତଥ୍ୟ ଅନୁଯାୟୀ ବର୍ଷକ ମଧ୍ୟରେ ‘ଦି କୁଇଣ୍ଟ ୱେବସାଇଟ’କୁ ୨୪ କୋଟି ଦର୍ଶକ ପରିଦର୍ଶନ କରିଥିଲେ । କୁଇଣ୍ଟ ଡିଜିଟାଲ ମିଡ଼ିଆ ହିସାବରେ ଇଂଲିଶ ଦି କୁଇଣ୍ଟ, କୁଇଣ୍ଟ ହିନ୍ଦି ଓ ଫିଟର ୨୦୨୦-୨୧ର ଆୟ ୨୨ କୋଟି ଟଙ୍କା ଛୁଇଁଥିଲା । ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ ନରମାଲ’ରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚ ମୁଖ୍ୟତଃ ମୁଦ୍ରିତ ସମ୍ୱାଦପତ୍ର, ରେଡ଼ିଓ ଓ ସିନେମା ବ୍ୟବସାୟ ବ୍ୟାପକ ବିଘଟନ ସାମ୍ନା କରିଥିବା ସ୍ଥଳେ କୁଇଣ୍ଟ ଗୃପର ସଫଳତା ଅନେକଙ୍କୁ ବିସ୍ମିତ କରିଛି । ପ୍ରଶ୍ନ ଉଠିଛି, ଭାରତରେ କ’ଣ ମୁଦ୍ରିତ ସମ୍ୱାଦପତ୍ର ଯୁଗ ଶେଷ ହୋଇ ଆସୁଛି ?


 

ବ୍ୟବସାୟ-ବାଣିଜ୍ୟ ସମ୍ୱାଦପତ୍ର ‘ବିଜନେସ ଷ୍ଟାଣ୍ଡାର୍ଡ’ ଭୁବନେଶ୍ୱର ସଂସ୍କରଣରେ ରାଘବ ଭାଲ ଓ ପତ୍ନୀ ରିତୁ କପୁରଙ୍କ ସହ ସଂପୃକ୍ତ ସମ୍ୱାଦପତ୍ରର ଗଣମାଧ୍ୟମ ବିଶ୍ଳେଷିକା ବନିତା କୋହଲି-ଖଣ୍ଡେକରଙ୍କ ଏକ ସାକ୍ଷାତକାର ୯ ସେପ୍ଟେମ୍ୱର ୨୦୨୧ ସଂସ୍କରଣରେ ପ୍ରକାଶ ପାଇଥିଲା । ଏଥିରେ ରାଘବ ଭାଲଙ୍କ ଦୁଇଗୋଟି ବିସ୍ପୋରକ ବୟାନ ସ୍ଥାନିତ । ପ୍ରଥମତଃ, ସେ କହିଛନ୍ତି ଯେ ମହାମାରୀ-ପର ଅବସ୍ଥାରେ ଅଶୀ ପ୍ରତିଶତ ଯାଏଁ ଭାରତୀୟ ଉପଭୋକ୍ତା ସୋସିଆଲ ମିଡ଼ିଆରୁ ସମ୍ୱାଦ ପାଉଛନ୍ତି । ଦ୍ୱିତୀୟତଃ, ସେ ଆକଳନ କରିଛନ୍ତି ଯେ ଆଗାମୀ ଦଶ ବର୍ଷ, ଅର୍ଥାତ ୨୦୩୦ ସୁଦ୍ଧା ମୁଦ୍ରିତ ସମ୍ୱାଦପତ୍ର ନଥିବ ।


 

ରାଘବ ଭାଲ ଭାରତୀୟ ଗଣମାଧ୍ୟମ ବ୍ୟବସାୟରେ ପୁରୁଣା ଖେଳାଳୀ । ତାଙ୍କରି ୩୫ ବର୍ଷର ବୃତ୍ତିଗତ ଅଭିଜ୍ଞତା ରହିଛି । ଟେଲିଭିଜନ ଓ ଡିଜିଟାଲ ମଞ୍ଚରେ ସେ ପରୀକ୍ଷାନିରୀକ୍ଷା କରିଆସିଛନ୍ତି । ସେହିପରି ବନିତା କୋହଲି-ଖଣ୍ଡେକର ଦେଶର ଜଣେ ଆଗଧାଡ଼ିର ଗଣମାଧ୍ୟମ ସମୀକ୍ଷକ, ସେମାନଙ୍କ ଆଶଙ୍କାକୁ ଅଣଦେଖା କରିହେବ ନାହିଁ । ପ୍ରକାଶିତ ଆଲୋଚ଼ନାର ପୃଷ୍ଠଭୂମି ଯାହା ହେଉନା କାହିଁକି ଭାରତୀୟ ପାରମ୍ପରିକ ସମ୍ୱାଦ ମଞ୍ଚ ପରିବର୍ତ୍ତିତ ପରିବେଶରେ ନିକଟ ଭବିଷ୍ୟତରେ ବ୍ୟାପକ ରୂପାନ୍ତର ସୁସ୍ପଷ୍ଟ ବୋଲି ବିଚାର କରାଯାଇପାରେ ।


 

ଭାଲଙ୍କୁ ପଚରାଯାଇଥିଲା ଡିଜିଟାଲ ମଞ୍ଚକୁ ବିଜ୍ଞାପନ ସ୍ଥାନାନ୍ତରିତ ହୋଇଆସୁଥିଲେ ସୁଦ୍ଧା ୭୦ ରୁ ୮୦ ପ୍ରତିଶତ କେବଳ ଗୁଗୁଲ ଓ ଫେସବୁକ ଅକ୍ତିଆର କରି ନେଉଥିବା ସ୍ଥଳେ ଡିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକ କିପରି ତିଷ୍ଠିବେ ? ‘ଦି କୁଇଣ୍ଟ’ର ଅଭିଜ୍ଞତାରୁ ଭାଲ କହିଥିଲେ ଯେ ସାମ୍ୱାଦିକତାରେ ଗୁଣାତ୍ମକ ବିକାଶ ଏବଂ ଭିଡ଼ିଓ ସମ୍ୱାଦ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ । ପ୍ରାଥମିକ ପର୍ଯ୍ୟାୟରେ ‘ଦି କୁଇଣ୍ଟ’ର ୬୦ ରୁ ୬୫ ପ୍ରତିଶତ ଉପଭୋକ୍ତା ଯୁବବର୍ଗ ଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ୩୦ ରୁ ୪୦ ବର୍ଷ ତଥା ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି ।


 

ଭାଲଙ୍କ ବିଚାରରେ ପାରମ୍ପରିକ ମୁଖ୍ୟସ୍ରୋତର ସମ୍ୱାଦମଞ୍ଚଗୁଡ଼ିକ ଡିଜିଟାଲ ମଞ୍ଚରେ ନିଜର ଉପସ୍ଥିତିକୁ ହାଲକା ଭାବେ ଗ୍ରହଣ କରିଆସିଥିଲେ । ସଂବାଦ ସଂଗ୍ରହ ନିମନ୍ତେ ବିପୁଳ ଦକ୍ଷତା ଥିବା ସତ୍ତ୍ୱେ ତାହା ସାମ୍ୱାଦିକତାର ଗୁଣାତ୍ମକ ବିକାଶରେ ପ୍ରତିଫଳିତ ହୋଇପାରୁ ନାହିଁ । ସାକ୍ଷାତକାରରେ ସେ ସୂଚ଼ାଇ ଥିଲେ ଯେ ଗଣମାଧ୍ୟମ ବ୍ୟବସାୟରେ ସଫଳତା ହାସଲ କରିବା ନିମନ୍ତେ ସାଧାରଣରେ ଚାରିରୁ ଛଅବର୍ଷ ସମୟ ଆବଶ୍ୟକ । ଏହି ଅବସରରେ ନିବେଶ କରିବାକୁ ପଡ଼େ । ନିଜ ଅଭିଜ୍ଞତାରୁ ସିଏନଏନ୍-ଆଇବିଏନ ଟେଲିଭିଜନ ଓ ଦି କୁଇଣ୍ଟ ଡିଜିଟାଲ ମଞ୍ଚ ଉଭୟ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୟସୀମାରେ ନିବେଶ କରାଯାଇଥିବା ହିସାବ ଦେଇଥିଲେ ।


 

‘ଦି କୁଇଣ୍ଟ’ର ସମ୍ପାଦକୀୟ ନୀତି ପ୍ରାଥମିକ ପର୍ଯ୍ୟାୟରେ ଯୁବବର୍ଗର ଉପଭୋକ୍ତାଙ୍କ ନିମନ୍ତେ ଅଭିପ୍ରେତ ଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ସାଧାରଣ ବର୍ଗର ଉପଭୋକ୍ତାଙ୍କ ନିମନ୍ତେ ସମ୍ୱାଦ ପ୍ରଯୋଜନାରେ ରୂପାନ୍ତରିତ ହୋଇଥିଲା । ଡିଜିଟାଲ ମଞ୍ଚରେ ପାରମ୍ପରିକ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକ ପ୍ରବେଶ କରୁଥିବା ଅବସରରେ ‘ଦି କୁଇଣ୍ଟ’ ପ୍ରବଳ ପ୍ରତିଯୋଗିତାର ସମ୍ମୁଖୀନ ହେଉଥିବା ସେ ଅବଗତ କରାଇଥିଲେ । ବିଶେଷକରି ଗ୍ରାହକ ସଂଗ୍ରହରେ ପ୍ରତିଯୋଗିତାମୂଳକ ପରିବେଶ ପ୍ରଭାବ ପକାଇବା ନିଶ୍ଚିତ । ବହୁ କ୍ଷେତ୍ରରେ ପାରମ୍ପରିକ ମଞ୍ଚଗୁଡ଼ିକ ଡିଜିଟାଲ ସଂସ୍କରଣକୁ ମୂଳ ବ୍ୟବସାୟରୁ ଅଲଗା ରଖି ଆସିଥିବା ସ୍ଥଳେ ମହାମାରୀ-ପର ଅବସ୍ଥାରୁ ଗୁରୁତ୍ୱ ଦେବା ଆରମ୍ଭ କରିଥିବା ଦର୍ଶାଇଥିଲେ ।


 

ଆନ୍ତର୍ଜାତିକସ୍ତରରେ ଡିଜିଟାଲ ସମ୍ୱାଦମଞ୍ଚ ପରୀକ୍ଷାନିରୀକ୍ଷା କ୍ଷେତ୍ରରେ ‘ଦି କୁଇଣ୍ଟ’ ଚର୍ଚ୍ଚାରେ ଆସିଥାଏ । ଭାରତୀୟ ଗଣମାଧ୍ୟମ ପରିବେଶରେ ଯେଉଁ ଦିଗଗୁଡ଼ିକ ଅସଂଭବ ବିଚାର କରାଯାଇ ଆସୁଥିଲା ସେଗୁଡ଼ିକର ମୁକାବିଲାରେ ‘ଦି କୁଇଣ୍ଟ’ କେତେକାଂଶରେ ସଫଳତା ହାସଲ କରିପାରିଛି । ଏହା ସ୍ଥାନୀୟ ଡିଜିଟାଲ ସମ୍ୱାଦ ମଞ୍ଚ ବିକାଶରେ ପଥ ପ୍ରଦର୍ଶକ ହେବା ବିଶ୍ୱାସ କରାଯାଇପାରେ । ଆଞ୍ଚଳିକ ଭାଷା ଓ ସ୍ଥାନୀୟ ସାମ୍ୱାଦିକତା ଡିଜିଟାଲ ମୁହାଁ ହେଉଥିବା ଅବସରରେ ସମ୍ଭାବ୍ୟ ପରିବର୍ତ୍ତନର ରୂପରେଖ ବିଶ୍ଳେଷଣ ଗୁରୁତ୍ୱପୂର୍ଣ୍ଣ ।


 

ଡ଼ିଜିଟାଲ ମଞ୍ଚରେ ଓଡ଼ିଆ ସାମ୍ୱାଦିକତାର ଉପସ୍ଥିତି ମହାମାରୀ-ପର ପରିବେଶ ୨୦୨୧ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ଉତ୍ସାହପ୍ରଦ ପର୍ଯ୍ୟାୟରେ ପହଞ୍ଚିପାରି ନାହିଁ । ଏହି କ୍ଷେତ୍ରରେ ଦୁଇ ଗୋଟି ପ୍ରତିବନ୍ଧକ ଦାୟୀ । ଏକ ପକ୍ଷରେ ଓଡ଼ିଆ ଡିଜିଟାଲ ସମ୍ୱାଦ ମଞ୍ଚ ପ୍ରଯୋଜନା ନିମନ୍ତେ ପର୍ଯ୍ୟାପ୍ତ ନିବେଶ ହୋଇପାରି ନାହିଁ । ପାରମ୍ପରିକ ମଞ୍ଚ ହେଉ କିମ୍ୱା ଡିଜିଟାଲ ନବସୃଜନ ‘ଡ଼ିଜିଟାଲ ନେଟିଭ’ ଯେକୌଣସି ମଞ୍ଚକୁ ଚାରିରୁ ଛଅ ବର୍ଷ ଯାଏଁ ନିବେଶ ନିମନ୍ତେ ପ୍ରସ୍ତୁତ ହେବାକୁ ପଡ଼ିବ । ମହାମାରୀରେ ମୂଳସ୍ରୋତର ସମ୍ୱାଦ ମଞ୍ଚଗୁଡ଼ିକ ବ୍ୟାପକ ଅର୍ଥନୀତିକ ବିପତ୍ତିର ଶୀକାର ହୋଇଥିବା ସ୍ଥଳେ ଡିଜିଟାଲ ମଞ୍ଚ ନିମନ୍ତେ ନିବେଶ ଦିଗରେ କେତେଦୂର ସଫଳ ହୋଇପାରିବେ ତାହା ଏକ ପ୍ରଶ୍ନବାଚୀ । ସେହିପରି ସାଧାରଣ ବିଚାରରେ ସମ୍ୱାଦ ମଞ୍ଚକୁ ଏକ ‘ବ୍ଳଗ’ ତୁଲ୍ୟ ଜ୍ଞାନ କରିବା ମାନସିକତା ନବସୃଜନରେ ଆର୍ଥିକ ନିବେଶକୁ କେତେଦୂର ସମର୍ଥନ କରିବ ତାହା ମଧ୍ୟ ଅସମାହିତ ପ୍ରଶ୍ନ ।


 

ଅପରପକ୍ଷରେ, ଡିଜିଟାଲ ସମ୍ୱାଦ ମଞ୍ଚ ମୁଖ୍ୟତଃ ଗ୍ରାହକଚାନ୍ଦା-ଆଶ୍ରିତ ମଡ଼େଲରେ ବିକାଶିତ ହେଉଥିବା ହେତୁ ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶ ନିମନ୍ତେ ସମ୍ପାଦକୀୟ ନୀତି ନିର୍ଦ୍ଧାରଣ, ପରିଚାଳନା ଓ ତାଲିମ ପ୍ରାଥମିକତା ଦାବୀ କରିବ । ଏଦିଗରେ ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ଅନୁଭୂତି ସମ୍ପନ୍ନ ନଥିବା ହେତୁ ସାମ୍ୱାଦିକତା କ୍ଷେତ୍ରରେ ଏକ ନୂତନ ସଂସ୍କୃତି ପରିପ୍ରକାଶ ଅପରିହାର୍ଯ୍ୟ । ପାରମ୍ପରିକ ଭାବେ ଓଡ଼ିଆ ସମ୍ୱାଦ ପ୍ରକାଶକମାନେ ବିଜ୍ଞାପନ ଓ ପ୍ରୋତ୍ସାହନ ସର୍ବସ୍ୱ ଅର୍ଥନୀତିରେ ଅଭ୍ୟସ୍ତଥିବା ସ୍ଥଳେ ବ୍ୟବସାୟକୁ ଲୋକାଭିମୁଖୀ କରିବାର ଦୃଷ୍ଟିଭଙ୍ଗୀ, ଆଚ଼ରଣ ଓ ଦକ୍ଷତାରେ ଅମୂଳଚୂଳ ପରିବର୍ତ୍ତନ ଆବଶ୍ୟକ କରେ ।                       


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୨୧


ତଥ୍ୟ:

 


Kohli-Khandekar, Vanita. ‘Media properties become profitable in 4-6 years’. Business Standard (Bhubaneswar Edition). September 9, 2021

‘ବଜଫିଡ଼ ନିଉଜ’ର ଅନ୍ତ 

ଆନ୍ତର୍ଜାତିକସ୍ତରରେ ଡ଼ିଜିଟାଲ ସମ୍ୱାଦ କ୍ଷେତ୍ରରେ ଅଗ୍ରଣୀ ଯୁକ୍ତରାଷ୍ଟ୍ର ଆମେରିକାର ‘ବଜଫିଡ଼ ନିଉଜ’ କ୍ରମଶଃ ଅପସାରଣ କରାଯାଉଥିବା ୨୦୨୩ ଏପ୍ରିଲ ଦ୍ୱିତୀୟାର୍ଦ୍ଧରେ ଘୋଷିତ ହୋଇଥିଲା । ‘ବଜଫିଡ଼’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୋନା ପାରେଟି ବ୍ୟାବସାୟିକ ମାନ୍ଦାବସ୍ଥା କାରଣରୁ ଟେକ ସଂସ୍ଥାରେ କର୍ମଚାରୀ ଛଟେଇ ଅପରିହାର୍ଯ୍ୟ ହୋଇପଡ଼ିଥିବା ସ୍ଥଳେ ସମ୍ୱାଦ ମଞ୍ଚଟିକୁ ବନ୍ଦ କରିବା ବ୍ୟତୀତ ଅନ୍ୟପନ୍ଥା ନଥିବା ସୂଚାଇଥିଲେ ।

 

ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକ ଶେଷଭାଗରେ ପାଶ୍ଚାତ୍ୟ ଭୂଖଣ୍ଡରେ ସାମାଜିକ ଗଣମାଧ୍ୟମର ଲୋକପ୍ରିୟତାକୁ ଲକ୍ଷ୍ୟ ରଖି ଦ୍ୱିତୀୟ ଦଶକ ପ୍ରାରମ୍ଭରେ ‘ବଜଫିଡ଼ ନିଉଜ’ ଏକ ସାମାଜିକ ଗଣମାଧ୍ୟମ-ଆଶ୍ରିତ ସମ୍ୱାଦ ମଞ୍ଚ ରୂପେ ବିକଶିତ ହୋଇଥିଲା । କିନ୍ତୁ ଦ୍ୱିତୀୟ ଦଶକ ଶେଷ ବେଳକୁ ସାମାଜିକ ଗଣମାଧ୍ୟମଗୁଡ଼ିକ ଲୋକପ୍ରିୟତା ହରାଇ ବସୁଥିବା ଅବସରରେ ‘ବଜଫିଡ଼ ନିଉଜ’ ମଧ୍ୟ ସମଦଶାର ସମ୍ମୁଖୀନ ହେବାରେ ଲାଗିଲା । ଶେଷରେ ଡ଼ିଜିଟାଲ ସମ୍ୱାଦ ମଞ୍ଚଟିକୁ ବନ୍ଦ କରିଦେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା ।

 

ପ୍ରଥମତଃ, ‘ବଜଫିଡ଼ ନିଉଜ’ ଏକ ଡ଼ିଜିଟାଲ ସମ୍ୱାଦମଞ୍ଚ, ଦ୍ୱିତୀୟତଃ ଆନ୍ତର୍ଜାତିକସ୍ତରରେ ପରିବ୍ୟାପ୍ତ, ତୃତୀୟତଃ ସାମାଜିକ ଗଣମାଧ୍ୟମକୁ ଆଶ୍ରାକରି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବା ବ୍ୟାବସାୟିକ ମଡ଼େଲ, ଚ଼ତୁର୍ଥତଃ ଅନୁସନ୍ଧାନମୂଳକ ସାମ୍ୱାଦିକତାକୁ ଗୁରୁତ୍ୱ ‘ଇନଭେଷ୍ଟଗେଟିଭ ଜର୍ଣ୍ଣାଲିଜମ’ ଏବଂ ପଞ୍ଚମତଃ ପ୍ରସିଦ୍ଧି ଲାଭ କରିଥିବା ସାମ୍ୱାଦିକଙ୍କୁ ନିଯୁକ୍ତି ଭଳି ନୀତି ‘ବଜଫିଡ଼ ନିଉଜ’ ଅବଲମ୍ୱନ କରିଥିବା ସ୍ଥଳେ ସମ୍ୱାଦ ମଞ୍ଚ ରୂପେ ତିଷ୍ଠି ରହିବାରେ ବିଫଳତା ସମକାଳୀନ ସାମ୍ୱାଦିକତାର ଗତିପ୍ରକୃତି ସଂପର୍କରେ ପ୍ରଶ୍ନବାଚ଼ୀ ସୃଷ୍ଟି କରିଥାଏ ।

 

ପାଶ୍ଚାତ୍ୟ ଭୂଖଣ୍ଡରେ ସାମାଜିକ ଗଣମାଧ୍ୟମ ଯେଉଁ ବେଗରେ ପରିବ୍ୟାପ୍ତ ହୋଇଥିଲା, ସେହି ଧାରାକୁ ଗଣମାଧ୍ୟମର ଭବିଷ୍ୟତ ରୂପେ ଅନେକ ଧରିନେଇଥିଲେ । ଅବଶ୍ୟ ଚର୍ଚ୍ଚିତ ଦଶ ବର୍ଷ ମଧ୍ୟରେ ସାମାଜିକ ଗଣମାଧ୍ୟମ ବଜାର ସଉଦା, ମନୋରଞ୍ଜନ ଠାରୁ ସାମାଜିକ ଆନ୍ଦୋଳନ ବା ନିର୍ବାଚନ ପ୍ରତ୍ୟେକ କ୍ଷେତ୍ରରେ ଯେଉଁଭଳି ପ୍ରଭାବଶାଳୀ ଭୂମିକା ନିର୍ବାହ କରିଥିଲା ଏବଂ ଯେତେ ସଂଖ୍ୟକ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିପାରୁଥିଲା, ସେଥିରେ ଏହି ଭଳି ଆକଳନରେ ସନ୍ଦେହର ଅବକାଶ ନଥିଲା ।

 

ହୁଏତ ଦୁଇ ଶହ ବର୍ଷ ପୂର୍ବେ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ପ୍ରବର୍ତ୍ତିତ ବିଜ୍ଞାପନ-ଆଶ୍ରିତ ବ୍ୟାବସାୟିକ ମଡ଼େଲ ଉଭୟ ସାମାଜିକ ଗଣମାଧ୍ୟମ ଓ ଡ଼ିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକ ଅନୁସରଣ କରିଥିବା ହେତୁ ବିଜ୍ଞାପନ ଅଭାବରେ ଉଭୟ କ୍ଷତିଗ୍ରସ୍ତ ହେଲେ । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଓ ତୃତୀୟ ଦଶକ ସନ୍ଧିକାଳରେ ମହାମାରୀ ପ୍ରଭାବରେ ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା । ବିଭିନ୍ନ ସୂଚ଼କାଙ୍କ ଆଧାରରେ ବିଜ୍ଞାପନ ବ୍ୟୟ ବୃଦ୍ଧି ଆକଳନ କରାଯାଉଥିଲେହେଁ ମୂଳସ୍ରୋତର ଗଣମାଧ୍ୟମ ମଞ୍ଚରୁ ଉପଭୋକ୍ତା ଅପସାରଣ ସହ ବିଜ୍ଞାପନ ଆୟ ମଧ୍ୟ ନୂତନ ଗଣମାଧ୍ୟମ ମଞ୍ଚ ମୁହାଁ ହେଉଥିବା ସୁସ୍ପଷ୍ଟ । ଏହି ପରିବେଶରେ କେତେକ ଗଣମାଧ୍ୟମ ମଞ୍ଚ ନିଶ୍ଚିନ୍ନ ହୋଇଯିବା ଯୁକ୍ତିଯୁକ୍ତ । ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଠିକ ଏହି କାରଣରୁ ପଶ୍ଚିମ ଭୂଖଣ୍ଡରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଅକାଳ ମୃତ୍ୟୁର ଶୀକାର ହୋଇଥିବା ସ୍ଥଳେ ସେହି ଧାରା ଡ଼ିଜିଟାଲ ମଞ୍ଚକୁ ମଧ୍ୟ ସଂକ୍ରମିତ ହୋଇଛି ।

 

‘ବଜଫିଡ଼ ନିଉଜ’ ୨୦୧୧ ଡ଼ିସେମ୍ୱର ମାସରେ ଆରମ୍ଭ ହୋଇଥିଲା । ଅନ୍ୟତମ ଡ଼ିଜିଟାଲ ମଞ୍ଚ ‘ପଲିଟିକୋ’ରେ ଅବସ୍ଥାପିତ ଖ୍ୟାତନାମା ସାମ୍ୱାଦିକ ବେନ ସ୍ମିଥଙ୍କୁ ‘ବଜଫିଡ଼ ନିଉଜ’ର ମୁଖ୍ୟ ସଂପାଦକଭାବେ ନିଯୁକ୍ତ କରାଯାଇଥିଲା । ଏହି ମଞ୍ଚରେ ୨୦୧୬ ସୁଦ୍ଧା ୨୦ ଜଣ ଚର୍ଚ୍ଚିତ ଅନୁସନ୍ଧାନଧର୍ମୀ ସାମ୍ୱାଦିକ ସହ ମୋଟ ୧୦୦ ଜଣ ସାମ୍ୱାଦିକ ନିଯୁକ୍ତ ଥିଲେ । ଆନ୍ତର୍ଜାତିକ ସମ୍ୱାଦ ପରିବେଷଣରେ ଉତ୍କର୍ଷ ଲାଗି ୨୦୨୧ରେ ପୁଲିଜର ପୁରସ୍କାର ପାଇଥିଲା । ଏହି ମଞ୍ଚରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୮ ସୁଦ୍ଧା ପ୍ରତି ମାସରେ ପାଞ୍ଚ କୋଟି ଯାଏଁ ଦର୍ଶକ ‘ୟୁନିକ ମନ୍ଥଲି ରିଡ଼ର୍ସ’ ପହଞ୍ଚୁଥିଲେ । ତେବେ ସମ୍ପାଦକୀୟ ଓ ବ୍ୟାବସାୟିକ ବିଫଳତା କାରଣରୁ ୨୦୧୯ରେ ୧୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ମୁଖ୍ୟ ସଂପାଦକ ବେନ ସ୍ମିଥ ୨୦୨୦ରେ ‘ବଜଫିଡ଼ ନିଉଜ’ରୁ ଇସ୍ତଫା ଦେଇ ‘ଦି ନ୍ୟୂୟର୍କ ଟାଇମ୍ସ’ରେ ଗଣମାଧ୍ୟମ ସମୀକ୍ଷକ ଭାବେ ଯୋଗ ଦେଇଥିଲେ ।

 

ଏହି ଘଟଣାକ୍ରମରୁ ବେଶ ଅନୁମାନ କରାଯାଇପାରେ ଯେ ମହାମାରୀ-ପୂର୍ବାବସ୍ଥାରୁ ‘ବଜଫିଡ଼ ନିଉଜ’ ବିଫଳତାର ସ୍ୱାଦ ଅନୁଭବ କରିସାରିଥିଲା । ଉଭୟ ସମ୍ପାଦକୀୟ ଓ ବ୍ୟାବସାୟିକ ମଡ଼େଲ ଆଶାନୁରୂପକ ସଫଳତା ହାସଲ କରିପାରିନଥିଲା । ଆନ୍ତର୍ଜାତିକସ୍ତରରେ ଏକ ସମ୍ୱାଦ ମଞ୍ଚ ଗଢ଼ି ତୋଳିବା ନିମନ୍ତେ ସୃଜନ, ସମୟ ଓ ନିବେଶ ହୁଏତ ପର୍ଯ୍ୟାପ୍ତ ହୋଇପାରିଲା ନାହିଁ । ଅନୁସନ୍ଧାନମୂଳକ ସାମ୍ୱାଦିକତା କ୍ଷଣିକ ଚାଞ୍ଚଲ୍ୟ ଖେଳାଇ ଦେଇପାରେ, କିନ୍ତୁ ତାହା ସାମ୍ୱାଦିକତାର ମୌଳିକ ଉପାଦାନ ଭାବେ ବିଚାର କରାଯାଇପାରେନା । ସାମ୍ୱାଦିକତାରେ ଦୃଷ୍ଟିଆକର୍ଷଣକାରୀ ଘଟଣାର ବିବରଣୀ ବର୍ଣ୍ଣନା ସୃଜନ-ଆଶ୍ରିତ । ସୃଜନରେ ପରାକାଷ୍ଠା ହିଁ ସାମ୍ୱାଦିକତାର ଦୀର୍ଘସ୍ଥାୟୀ ପ୍ରଭାବର କାରଣ । ସେହିପରି ବୈଷୟିକ କୌଶଳକୁ ଭିତ୍ତିକରି ସାମ୍ୱାଦିକତା ତିଷ୍ଠି ପାରିବ ନାହିଁ । କାରଣ ବୈଷୟିକ ଉଦ୍ଭାବନର ଅନ୍ତ ନାହିଁ । ଉପଭୋକ୍ତାବର୍ଗ ଉତ୍କଣ୍ଠା ଓ ପ୍ରବାହ ‘ଟ୍ରେଣ୍ଡ’ର ଜାଲରେ ଗୋଟିଏ ମଞ୍ଚରେ ପହଞ୍ଚିବା ପରେ ଅନ୍ୟ ମଞ୍ଚକୁ ଲମ୍ପ ପ୍ରଦାନ ସ୍ୱତଃସିଦ୍ଧ । ମୁଦ୍ରିତ ‘ନିଉଜ ବୁକ’ରୁ ‘ସର୍ଟ ଭିଡ଼ିଓ’ ଏକ ଦୀର୍ଘ ଯାତ୍ରା । କିନ୍ତୁ ଏଥିରେ ବିରାମ ନାହିଁ ।

 

‘ବଜଫିଡ଼ ନିଉଜ’ ୱେବସାଇଟରେ ସମ୍ୱାଦ ମଞ୍ଚଟିର ନୀତି ନିର୍ଦ୍ଧାରଣ ‘ମିସନ’ରେ ଲେଖା ଯାଇଥିଲା ପ୍ରଥମତଃ ସମ୍ୱାଦମଞ୍ଚରେ ଉପଭୋକ୍ତାଙ୍କ ଋଚି ଅନୁଯାୟୀ ସମ୍ୱାଦ ପରିବେଷିତ ହେବ । ଦ୍ୱିତୀୟତଃ, ବୃହତ ଅନୁଷ୍ଠାନଗୁଡ଼ିକ ଆନୁକୂଲ୍ୟରେ ସଂଘଟିତ ଅନୁଚ଼ିତ ଘଟଣାବଳୀ ଲୋକଲୋଚନକୁ ଅଣାଯିବ । ତୃତୀୟତଃ, ଜନଜୀବନରେ ଅନ୍ୟାୟର ପର୍ଦ୍ଦାଫାସ କରାଯିବ । ଏହି ନୀତି ମୁଖ୍ୟତଃ ଲକ୍ଷ୍ୟବଦ୍ଧ ସାମ୍ୱାଦିକତା ‘ଏଜେଣ୍ଡା ସେଟିଂ ଏଡ଼ିଟୋରିଆଲ ପଲିସି’କୁ ବୁଝାଇଥାଏ । ଅର୍ଥାତ, ସଂପାଦକ ଯେଉଁ ଘଟଣାବଳୀ ପ୍ରଚାରଯୋଗ୍ୟ ବିବେଚନା କରିବେ, ତାହା ପ୍ରକାଶିତ ହେବ । ସାମ୍ୱାଦିକତାରେ ଏହି ସଂକୁଚ଼ିତ ଦୃଷ୍ଟିକୋଣ ବିଫଳ ହେବା ଅର୍ଥ ଏହା ଉନ୍ନତ ସାମ୍ୱାଦିକତା ପର୍ଯ୍ୟାୟଭୁକ୍ତ ନୁହ ବୋଲି କୁହାଯାଇପାରେ ।

 

‘ବଜଫିଡ଼ ନିଉଜ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୋନା ପାରେଟି ୨୦୦୫ରେ ‘ଦି ହଫିଙ୍ଗଟନ ପୋଷ୍ଟ’ର ସହ-ପ୍ରତିଷ୍ଠାତା ଥିଲେ । ଡ଼ିଜିଟାଲ ସମ୍ୱାଦ ମଞ୍ଚଭାବେ ଖୁବ କମ ସମୟ ମଧ୍ୟରେ ପୋଷ୍ଟ ଲୋକପ୍ରିୟତା ହାସଲ କରିଥିଲା । ତେବେ ୨୦୧୧ରେ ସମ୍ୱାଦ ମଞ୍ଚଟିର ମାଲିକାନା ପରିବର୍ତ୍ତିତ ହେବାପରେ ଜୋନା ଇସ୍ତଫା ଦେଇ ସେ ୨୦୦୬ରୁ ଆରମ୍ଭ କରିଥିବା ଟେକ ମଞ୍ଚ ‘ବଜଫିଡ଼’ରେ ମନୋନିବେଶ କରିଥିଲେ । ‘ଦି ହଫିଙ୍ଗଟନ ପୋଷ୍ଟ’ର ଅନ୍ୟତମ ପ୍ରତିଷ୍ଠାତା ଆରୀନା ହଫିଙ୍ଗଟନ ୨୦୧୬ରେ ପୋଷ୍ଟରୁ ଇସ୍ତଫା ଦେଇ ‘ଥ୍ରାଇଭ ଗ୍ଳୋବାଲ’ ନାମକ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ପରାମର୍ଶ ସମ୍ୱଳିତ ଡ଼ିଜିଟାଲ ମଞ୍ଚ ଆରମ୍ଭ କରିଥିଲେ । ‘ବଜଫିଡ଼ ନିଉଜ’ରେ ୨୦୧୧ରୁ ୨୦୨୦ ଯାଏଁ ମୁଖ୍ୟ ସମ୍ପାଦକ ପଦବୀରେ ଅବସ୍ଥାପିତ ବେନ ସ୍ମିଥ ୨୦୨୨ରେ ‘ସିମାଫୋର’ ନାମରେ ଏକ ଆନ୍ତର୍ଜାତିକ ଡ଼ିଜିଟାଲ ମଞ୍ଚର ପ୍ରାୟୋଜକ ।

 

ବଜଫିଡ଼ ନିଉଜ ସହ ସଂପୃକ୍ତ ସମ୍ୱାଦିକଙ୍କ ଆଚ଼ରଣରୁ ଏହା ସ୍ପଷ୍ଟ ବାରି ହୁଏ ଯେ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିତ୍ତଶୀଳ ରାଷ୍ଟ୍ରଗୁଡ଼ିକରେ ଡିଜିଟାଲ ସମ୍ୱାଦ ମଞ୍ଚ ଷ୍ଟାର୍ଟଅପଗୁଡ଼ିକରେ ଦ୍ୱିତୀୟ ଦଶକରେ ବିପୁଳ ନିବେଶର ସୁବିଧା ମିଳିଥିବା ହେତୁ ଚର୍ଚ୍ଚିତ ସାମ୍ୱାଦିକମାନେ ନିଜସ୍ୱ ସମ୍ୱାଦ ମଞ୍ଚ ପ୍ରଯୋଜନା ହାତଛଡ଼ା କରିନଥିଲେ । ତେବେ ୨୦୧୯ରେ ବଜଫିଡ଼ ନିଉଜରୁ କର୍ମଚାରୀ ଛଟେଇ ଅବସରରେ ଜୋନା ପାରେଟିଙ୍କ ଅଧିକ ପୁଞ୍ଜି ନିବେଶ ବଦଳରେ ଖର୍ଚ୍ଚକାଟକୁ ଗୁରୁତ୍ୱ ଦେଇଥିବା ସ୍ୱୀକାରୋକ୍ତି ମହାମାରୀ-ପୂର୍ବାବସ୍ଥାରୁ ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ନିବେଶ ଅଭାବର ସୂଚ଼ନା ଦେଇଥାଏ । ବଜଫିଡ଼ ନିଉଜର ଅନ୍ତ ବୃହତ ସମ୍ୱାଦ ମଞ୍ଚଗୁଡ଼ିକର ଭବିଷ୍ୟତ ପ୍ରତି ସନ୍ଦେହ ସୃଷ୍ଟି କରେ । ପାରମ୍ପରିକ ବ୍ୟାବସାୟିକ ମଡ଼େଲର ବିଫଳତା ସମ୍ୱାଦ ମଞ୍ଚ ପରିଚାଳନାରେ ନୂତନ ଅଧ୍ୟାୟର ଅନ୍ୱେଷଣର ସୂଚ଼ନା ଦିଏ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୮ ଏପ୍ରିଲ ୨୦୨୩


ତଥ୍ୟ:

 

How the social traffic that gave life to Buzz Feed News Ultimately led to its demise – Digiday

 

https://digiday.com/media/how-the-social-traffic-that-gave-life-to-buzzfeed-news-ultimately-led-to-its-demise/ 

ଡ଼ିଜିଟାଲ ମଞ୍ଚରେ କ୍ରସୱାର୍ଡ ପଜଲ

ଇଂଲିଶ ଭାଷାରେ ଦକ୍ଷ, ଉଚ୍ଚ ଶିକ୍ଷିତ, ସ୍ୱଚ୍ଛଳ ବର୍ଗର ଏକାଂଶ ସମସାମୟିକ ସମ୍ୱାଦ ପଠନ ବିମୁଖ ହୋଇପଡୁଥିବା ସ୍ଥଳେ ସେମାନଙ୍କୁ ସମ୍ୱାଦ ମଞ୍ଚସହ ଯୋଡ଼ି ରଖିବା ନିମନ୍ତେ କ୍ରସୱାର୍ଡ ପଜଲ ଭଳି ବୌଦ୍ଧିକ ଖେଳରେ ନିମଜ୍ଜିରଖିବା ଉଦ୍ୟମ ମହାମାରୀ-ପର ଆନ୍ତର୍ଜାତିକ ଗଣମାଧ୍ୟମ ପରିସରରେ ଅନ୍ୟତମ ଚର୍ଚ୍ଚିତ ଧାରା । ଆନ୍ତର୍ଜାତିକସ୍ତରରେ ବୌଦ୍ଧିକ ଖେଳ ପ୍ରକାଶନରେ ମାର୍କିନ ସମ୍ୱାଦ ମଞ୍ଚ ‘ଦି ନିଉୟର୍କ ଟାଇମ୍ସ’ ଅଗ୍ରଗଣ୍ୟ । ଏହାର ମୁଦ୍ରିତ ସଂସ୍କରଣ ତୁଳନାରେ ଡ଼ିଜିଟାଲ ସଂସ୍କରଣର ଗ୍ରାହକ ସଂଖ୍ୟା ଅଧିକ । କୁହାଯାଉଛି ଯେ ଡ଼ିଜିଟାଲ ସଂସ୍କରଣରେ ଉପଲବ୍ଧ ଭାଷାଜ୍ଞାନ ଖେଳ, ରନ୍ଧନ ପ୍ରତି ପାଠକମାନେ ଆକୃଷ୍ଟ । ଏପରିକି ସଂବାଦମଞ୍ଚ ପକ୍ଷରୁ ଡ଼ିଜିଟାଲ ମଞ୍ଚରେ କେବଳ ଖେଳ କିମ୍ୱା ରନ୍ଧନ ସଂପର୍କୀତ ଲେଖା ନିମନ୍ତେ ସ୍ୱତନ୍ତ୍ର ଗ୍ରାହକ ଚାନ୍ଦା ପ୍ରବର୍ତ୍ତିତ ହୋଇଛି ।

 

‘ଦି ନିଉୟର୍କ ଟାଇମ୍ସ’ର ଭାଷାଜ୍ଞାନ ଖେଳ ପ୍ୟାକେଜ ‘ଦି ଗେମ’ରେ ‘ଦି କ୍ରସୱାର୍ଡ’, ‘ଦି ମିନିକ୍ରସୱାର୍ଡ’, ‘ୱାର୍ଡଲ’, ‘ସ୍ପେଲିଂ-ବି’, ‘ଲେଟର-ବକ୍ସଡ଼’, ‘ଟାଇଲ୍ସ’ ଓ ‘ଭେରଟକ୍ସ’ ଅନ୍ତର୍ଭୁକ୍ତ । ଭାରତୀୟ ଉପଭୋକ୍ତାଙ୍କୁ ନିମନ୍ତ୍ରଣ ଗ୍ରାହକ ଚାନ୍ଦାରେ ପ୍ରଥମ ବର୍ଷ ପାଇଁ ୫୦୦ ଟଙ୍କା ଦେୟ ନିର୍ଦ୍ଧାରିତ । ଅପରପକ୍ଷେ ସମ୍ୱାଦ ମଞ୍ଚର ସମସ୍ତ ବିଭାଗର ଡିଜିଟାଲ ସଂସ୍କରଣ ଗ୍ରାହକ ଚାନ୍ଦା ବାର୍ଷିକ ଏକ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥାଏ । ଭାରତର ସହରାଞ୍ଚଳରେ ଉଚ୍ଚବର୍ଗର ଅନଲାଇନ ଉପଭୋକ୍ତା ସଂପ୍ରଦାୟରେ ‘ଦି ନିଉୟର୍କ ଟାଇମ୍ସ’ର କ୍ରସୱାର୍ଡ ପଜଲ କ୍ରମଶଃ ଲୋକପ୍ରିୟତା ହାସଲ କରିଥିବା ପରିଲକ୍ଷିତ । ମହାମାରୀ-ପର ଅବସ୍ଥାରେ ସମ୍ୱାଦ ବିମୁଖ ବୁଦ୍ଧିଜୀବୀମାନଙ୍କ ମଧ୍ୟରୁ ଏକାଂଶ ଏହିଭଳି ଅନଲାଇନ ଖେଳ ପ୍ରତି ଆସକ୍ତ ହୋଇପଡୁଥିବା ଗଣମାଧ୍ୟମରେ ଏକ ନୂତନ ସମୀକରଣର ସୂଚ଼ନା ପ୍ରଦାନ କରିଥାଏ ।

 

କ୍ରସୱାର୍ଡ ପଜଲର ଉତ୍ପତ୍ତି ସ୍ଥଳ ଯୁକ୍ତରାଷ୍ଟ୍ର ଆମେରିକା । ନିଉୟର୍କରୁ ପ୍ରକାଶିତ ‘ଦି ନିଉୟର୍କ ୱାର୍ଲ୍ଡ’ରେ ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବାବସ୍ଥା ୧୯୧୩ରେ ଆତ୍ମପ୍ରକାଶ କରିଥିଲା । ‘ଦି ନିଉୟର୍କ ୱାର୍ଲ୍ଡ’ ମାର୍କିନ ସାମ୍ୱାଦିକତାରେ କାମଳ ସାମ୍ୱାଦିକତା ‘ୟୋଲୋ ଜର୍ଣ୍ଣାଲିଜମ’ ନିମନ୍ତେ ପ୍ରସିଦ୍ଧ । ଖ୍ୟାତନାମା ପ୍ରକାଶକ ଜୋସେଫ ପୁଲିଜର ଏହି ଦୈନିକ ମୁଦ୍ରିତ ସମ୍ୱାଦପତ୍ରଟିରେ ଚାଞ୍ଚଲ୍ୟକାରୀ ସମ୍ୱାଦ, ଅପରାଧ ଓ କ୍ରୀଡ଼ା ସଂବାଦ ପ୍ରକାଶନକୁ ଅଗ୍ରାଧୀକାର ଦେଇ ଲୋକପ୍ରିୟତା ହାସଲ କରିବାକୁ ଉଦ୍ୟମରେ ସଫଳ ହୋଇଥିଲେ । ସମ୍ୱାଦପତ୍ରଟି ୧୮୬୦ରୁ ୧୯୩୧ ଯାଏଁ ଦୀର୍ଘ ୬୧ ବର୍ଷ ଧରି ପ୍ରକାଶିତ ହୋଇଥିଲା ଏବଂ ପୁଲିଜର ୧୮୮୩ରୁ ୧୯୧୧ ମୋଟ ୨୮ ବର୍ଷ ଧରି ପ୍ରକାଶକ ରହିଥିଲେ । ଶେଷରେ ୧୯୩୦ରେ ଏହାର ମାଲିକନା ଅଧିଗ୍ରହଣ ହୋଇ ‘ଟେଲିଗ୍ରାମ’ ସମ୍ୱାଦପତ୍ର ସହ ବିଲୀନ ହୋଇଯାଇଥିଲା । ପୁଲିଜରଙ୍କ ଅମଳରେ ‘ଦି ନିଉୟର୍କ ୱାର୍ଲ୍ଡ’ର ପ୍ରସାର ସଂଖ୍ୟା ସର୍ବାଧିକ ଦଶ ଲକ୍ଷରେ ପହଞ୍ଚିଥିଲା ।

 

‘ଦି ନିଉୟର୍କ ୱାର୍ଲ୍ଡ’ରେ କ୍ରସୱାର୍ଡ ପଜଲ ପ୍ରକାଶନ ପୂର୍ବରୁ ୧୮୯୦ ବେଳକୁ କମିକ ଷ୍ଟ୍ରୀପ ମଧ୍ୟ ପ୍ରକାଶିତ ହୋଇଥିଲା । ଏହାର ପ୍ରସାର ସଂଖ୍ୟା ବୃଦ୍ଧିରେ ଅନୁପ୍ରାଣିତ ହୋଇ ବହୁ ସଂଖ୍ୟକ ମାର୍କିନ, ବ୍ରିଟିଶ ଓ ୟୁରୋପୀୟ ସମ୍ୱାଦପତ୍ର କାମଳ ସାମ୍ୱାଦିକତାରେ ମନୋନିବେଶ କରିବା ସଙ୍ଗେ କ୍ରସୱାର୍ଡ ପଜଲ, କମିକ ଷ୍ଟ୍ରୀପ ଇତ୍ୟାଦି ପ୍ରକାଶନକୁ ଅଗ୍ରାଧୀକାର ଦେଇଥିଲେ । ‘ଦି ନିଉୟର୍କ ୱାର୍ଲ୍ଡ’ ଏହି ଅଣ-ସମ୍ୱାଦ ଉତ୍ପାଦଗୁଡ଼ିକୁ ଅନ୍ୟ ସମ୍ୱାଦପତ୍ରମାନଙ୍କୁ ମୂଲ୍ୟ ବିନିମୟରେ ପୁନଃପ୍ରକାଶନ ନିମନ୍ତେ ଅନୁମତି ‘ସିଣ୍ଡିକେଟ’ ବ୍ୟବସ୍ଥା କରିଥିଲା । ସମ୍ୱାଦପତ୍ରରେ ସମ୍ୱାଦ ବ୍ୟତୀତ ଅନ୍ୟ ପଠନ ସାମଗ୍ରୀ ସ୍ଥାନିତ କରି ପାଠକବର୍ଗଙ୍କୁ ଆକର୍ଷିତ କରିବା ତଥା ସମ୍ୱାଦପତ୍ର ପଠନ ଅଭ୍ୟାସ ବଳବତ୍ତର ରଖିବା ନିମନ୍ତେ ଉଦ୍ୟମ ଦୀର୍ଘ ଶହେ ବର୍ଷ ଧରି ପ୍ରଚଳିତ ହୋଇ ଆସିଛି ।

 

କ୍ରସୱାର୍ଡ ପ୍ରକାଶନ କାଳରୁ ଯଦିଓ ଲୋକପ୍ରିୟତା ହାସଲ କରିଥିଲା, ତେବେ ସମାଲୋଚ଼ନା ମଧ୍ୟ ଜାରୀ ରହିଆସିଥିଲା । ବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଶେଷ ଭାଗରେ ଲଣ୍ଡନ ଟାଇମ୍ସ ଆକଳନରେ ପ୍ରାୟ କୋଟିଏ ମାର୍କିନ ପାଠକ କ୍ରସୱାର୍ଡ ଖେଳରେ ଦୈନିକ ଅନ୍ୟୂନ ଅଧ ଘଣ୍ଟାଏ ବିତାଉଥିଲେ । ଏତଦ୍ୱାରା ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଯେତିକି ଅଣ-ଉତ୍ପାଦ ସମୟ ବିନିଯୋଗ ହେଉଥିଲା, ତାହା ତତ୍କାଳୀନ ସରକାରୀ ଓ ବେସରକାରୀ ଦପ୍ତର ତଥା କଳ-କାରଖାନାରେ ଶ୍ରମିକ ଧର୍ମଘଟଠାରୁ ଢ଼େର ଅଧିକ ବୋଲି କୁହାଯାଇଥିଲା । କ୍ରସୱାର୍ଡ ଖେଳକୁ ଏକ ମାଦକଦ୍ରବ୍ୟ ‘ୱିଡ଼’ ସହ ତୁଳନା କରାଯାଇ ଆଳସ୍ୟ ଓ ଅଣ-ସାମାଜିକ ଅଭ୍ୟାସ ରୂପେ ସମାଲୋଚ଼ିତ ହେଉଥିଲା ।

 

ସମ୍ୱାଦପତ୍ରରେ ପ୍ରକାଶିତ କ୍ରସୱାର୍ଡ ଖେଳ କାରଣରୁ ପାରିବାରିକ ସୌହାଦ୍ଦ୍ୟ କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ କୋର୍ଟ-କଚ଼େରୀରେ ମକଦ୍ଦମା ଦାୟର ହେବା ଉଦାହରଣର ଅଭାବ ନଥିଲା । ଜଣେ ବ୍ରିଟିଶ ମହିଳା ତାଙ୍କରି ପତି ଦିନ ଏଗାରଟା ଯାଏଁ ଶୋଇବା ପଲଙ୍କରେ ପଡ଼ି କ୍ରସୱାର୍ଡ ଖେଳୁଥିବା ଅଭ୍ୟାସର ପ୍ରତିବାଦ କରି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଚ଼ିକିତ୍ସକମାନେ କ୍ରସୱାର୍ଡ ପଜଲରେ ଦୀର୍ଘ ସମୟ ଅତିବାହିତ କରିବା ଅଭ୍ୟାସକୁ ‘କ୍ରସୱାର୍ଡ ଇନସୋମେନିଆ’ ଅଭିହିତ କରି ଏହାଦ୍ୱାରା ନିଦ୍ରାହାନୀ, ମୁଣ୍ଡବ୍ୟଥା ଓ ଦୃଷ୍ଟିଶକ୍ତିରେ ପ୍ରତିକୂଳ ପ୍ରଭାବ ପକାଉଥିବା ଅଭିଯୋଗ କରିଥିଲେ । ଶିକ୍ଷାନୁଷ୍ଠାନ ପ୍ରାଙ୍ଗଣରେ ବିଦ୍ୟାର୍ଥୀମାନଙ୍କୁ କ୍ରସୱାର୍ଡ ପଜଲ ବାରଣ କରାଯାଉଥିଲା । ମିଛିଗନ ବିଶ୍ୱବିଦ୍ୟାଳୟରେ ଏଥିନିମନ୍ତେ ବିଧିବଦ୍ଧ ନୀତିନିୟମ ଲାଗୁ ହୋଇଥିଲା ।

 

ସମସ୍ତ ସମାଲୋଚ଼ନା ସତ୍ତ୍ୱେ କ୍ରସୱାର୍ଡ ପଜଲକୁ ସମ୍ୱାଦପତ୍ର ପ୍ରକାଶକ ଓ ସମ୍ପାଦକମାନେ ଗୁରୁତ୍ୱ ଦେଇ ଆସିଥିଲେ । ‘ଦି ନିଉୟର୍କ ଟାଇମ୍ସ’ରେ ୧୯୪୨ରେ କ୍ରସୱାର୍ଡ ପଜଲ ପ୍ରକାଶନ ଆରମ୍ଭ ହୋଇଥିଲା । ସେହି ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଘନଘଟା, ପର୍ଲ ହାରବର ବନ୍ଦରରେ ବୋମାମାଡ଼ ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାମାନ ସମ୍ୱାଦପତ୍ର ପୃଷ୍ଠା ମଣ୍ଡନ କରୁଥିଲେହେଁ କ୍ରସୱାର୍ଡ ପଜଲର ଲୋକପ୍ରିୟତାକୁ ଅଣଦେଖା କରାଯାଇପାରିନଥିଲା । ଗଣମାଧ୍ୟମ ବିଶ୍ଳେଷକଙ୍କ ବିଚାରରେ ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉ ବା କରୋନା-ଭୂତାଣୁଜନିତ ମହାମାରୀ ଅବସରରେ ନକାରାତ୍ମକ ସମ୍ୱାଦ ପ୍ରକାଶନରେ ଭରାକ୍ରାନ୍ତ ହୋଇ ସମ୍ୱାଦ ମଞ୍ଚ ପାଠକ ବର୍ଗରୁ ଏକାଂଶ ସମସ୍ୟାବଳୀରୁ ଦୃଷ୍ଟି ଫେରାଇନେଉଥିବା ତଥା କ୍ରସୱାର୍ଡ ପଜଲ ଭଳି ବୌଦ୍ଧିକ ଖେଳରେ ମନୋନିବେଶ କରୁଥିବା ସୁସ୍ପଷ୍ଟ ।

 

ବିକଶିତ ରାଷ୍ଟ୍ରଗୁଡ଼ିକରେ ମହାମାରୀ ପୂର୍ବାବସ୍ଥାରୁ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଡ଼ିଜିଟାଲ ମଞ୍ଚରେ ଆସ୍ଥାନ ଜମାଇସାରିଥିଲେ । ମୁଦ୍ରିତ ସମ୍ୱାଦପତ୍ର ତୁଳନାରେ ଡ଼ିଜିଟାଲ ମଞ୍ଚରେ କ୍ରସୱାର୍ଡ ପଜଲ ଭଳି ଖେଳ ପ୍ରକାଶନ ଓ ଖେଳିବା ଉଭୟଦିଗରୁ ଆକର୍ଷଣୀୟ ହୋଇପାରିଥିଲା । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ‘ସ୍କେବଲ’ ଡ଼ିଜିଟାଲ ମଞ୍ଚରେ ଆତ୍ମପ୍ରକାଶ କରିଥିଲା । ‘ଦି ନିଉୟର୍କ ଟାଇମ୍ସ’ ଭଳି ସମ୍ୱାଦ ମଞ୍ଚରେ ବୌଦ୍ଧିକ ଖେଳ ଲୋକପ୍ରିୟତା ହାସଲ କରିସାରିଥିବା ସ୍ଥଳେ ମହାମାରୀକାଳରେ ମାତ୍ରାଧିକ ନକାରାତ୍ମକ ସମ୍ୱାଦରୁ ଦୃଷ୍ଟି ଫେରାଇବା ନିମନ୍ତେ ସମ୍ୱାଦ ବିମୁଖ ପାଠକମାନଙ୍କ ପୃଷ୍ଠପୋଷକତା ବୃଦ୍ଧି ପାଇବାରେ ଲାଗିଲା । ଫଳରେ ‘ଦି ନିଉୟର୍କ ଟାଇମ୍ସ’ ୩୧ ଜାନୁୟାରୀ ୨୦୨୨ରେ ‘ୱାର୍ଡଲ’ ଅଧିଗ୍ରହଣ କରିଥିବା ଘୋଷଣା କରିଥିଲା । ଜୋସ ୱାର୍ଡଲଙ୍କ ଦ୍ୱାରା ବିକଶିତ ‘ୱାର୍ଡଲ’ କ୍ରସୱାର୍ଡ ଅକ୍ଟୋବର ୨୦୨୧ରେ ପ୍ରକାଶିତ ହେବା ମାତ୍ରେ ଲୋକାଦୃତ ହୋଇଥିଲା ଏବଂ ମାତ୍ର କେତେ ସପ୍ତାହ ମଧ୍ୟରେ ତିନି ଲକ୍ଷ ଖେଳାଳୀଙ୍କ ଗହଣରେ ପହଞ୍ଚିଥିଲା । ‘ୱାର୍ଡଲେ’ ୨୦୨୨ ମଧ୍ୟଭାଗ ସୁଦ୍ଧା ‘ଦି ଗେମ୍ସ’ର ସର୍ବାପେକ୍ଷା ଆକର୍ଷକ ବୌଦ୍ଧିକ ଖେଳ ।

 

‘ଦି ନିଉୟର୍କ ଟାଇମ୍ସ’ର ବୌଦ୍ଧିକ ଖେଳ ବିଭାଗ ସଂଯୋଜକ ଜୋସ ନାଇଟଙ୍କ ବିଚାରରେ ସମ୍ୱାଦମଞ୍ଚଗୁଡ଼ିକ ଲୋକପ୍ରିୟତା ହରାଉଥିବା ଅବସରରେ ସମ୍ୱାଦ ବିମୁଖ ପାଠକମାନଙ୍କୁ ଡ଼ିଜିଟାଲ ସମ୍ୱାଦମଞ୍ଚକୁ ଆକର୍ଷିତ କରିବା ନିମନ୍ତେ କ୍ରସୱାର୍ଡ ପଜଲ ଭଳି ବିକଳ୍ପ ବ୍ୟବହାର କରାଯାଉଛି । ‘ଦି ନିଉୟର୍କ ଟାଇମ୍ସ’ ୨୦୨୭ ସୁଦ୍ଧା ଏକ କୋଟି ପଚାଶ ଲକ୍ଷ ଗ୍ରାହକ ସଂଗ୍ରହ କରିବା ନିମନ୍ତେ ଉଚ୍ଚମାନର ସମ୍ୱାଦ ଓ ଅଭିମତ ପରିବେଷଣ ସଙ୍ଗେ ବିଭିନ୍ନ ଅଣ-ସମ୍ୱାଦ ବିଭାଗଗୁଡ଼ିକର ଭିତ୍ତିଭୂମି ପ୍ରସ୍ତୁତ ପ୍ରତି ଧ୍ୟାନ ଦିଆଯାଉଛି । ମୋଟ ଉପରେ ସମ୍ୱାଦମଞ୍ଚଗୁଡ଼ିକୁ ରବିବାସରୀୟ ସମ୍ୱାଦପତ୍ର ପଠନ ଅନୁଭୂତି ପ୍ରଦାନ ନିମନ୍ତେ ଏହି ଭଳି ଉଦ୍ୟମ ଅଭିପ୍ରେତ । ଡ଼ିଜିଟାଲ ମଞ୍ଚରେ ଭୌଗଳିକ ସୀମାପାର ଆହରଣ ସୁଯୋଗ ଉପଲବ୍ଧ ହେତୁ ଭାରତୀୟ ପାଠକମାନେ ‘ଦି ନିଉୟର୍କ ଟାଇମ୍ସ’ର ଗ୍ରାହକ ଶ୍ରେଣୀଭୁକ୍ତ ହୋଇ ଆନ୍ତର୍ଜାତିକସ୍ତରର ଖେଳ ଉପଭୋଗ କରିପାରୁଛନ୍ତି । ଏହି ପରିବେଶ ଦେଶୀୟ ଉଦ୍ୟମକୁ ଉତ୍ସାହିତ କରିପାରୁ ନାହିଁ । ଓଡ଼ିଶାରେ ‘ଛାତ୍ରସାଥୀ’ ଓ ‘ସମ୍ୱାଦ’ ପ୍ରକାଶନୀ ପକ୍ଷରୁ ଭାଷାଜ୍ଞାନ ଓଡ଼ିଆ କ୍ରସୱାର୍ଡ ପ୍ରସ୍ତୁତି ନିମନ୍ତେ ବିଂଶ ଶତାଦ୍ଦୀର ଅଷ୍ଟମ ଓ ନବମ ଦଶକରେ ଉଦ୍ୟମ କରାଯାଇଥିଲା । ତେବେ ତାହା ଲୋକପ୍ରିୟତା ହାସଲ ନକରିପାରିବା କାରଣରୁ ବନ୍ଦ ହୋଇଯାଇଥିଲା । ପରିବର୍ତ୍ତିତ ପରିବେଶରେ ସେହି ଦିଗରେ ପୁନଃଉଦ୍ୟମ ଆଶା କରାଯାଇନପାରେ ।                        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ସେପ୍ଟେମ୍ୱର ୨୦୨


ତଥ୍ୟ:

 


Winkie, Luke. “Puzzles pair well with reading the news” : Why news outlets are getting into games (again). NiemanLab. August 10, 2022

 

https://www.niemanlab.org/2022/08/puzzles-pair-well-with-reading-the-news-why-news-outlets-are-getting-into-games-again/

 

Anslow, Louis. A time before Wordle : Newspapers used to hate word puzzles. NimanLab. February 22, 2022

 

https://www.niemanlab.org/2022/02/a-time-before-wordle-newspapers-used-to-hate-word-puzzles/?relatedstory

ଇଣ୍ଟରନେଟର ଆଧିପତ୍ୟ

ଭାରତରେ ଏକବିଂଶ ଶତାଦ୍ଦୀ ତୃତୀୟଦଶକ ଆରମ୍ଭ ସୁଦ୍ଧା ଜନଜୀବନରେ ଇଣ୍ଟରନେଟର ଆଧିପତ୍ୟକୁ କେତେକ ସମୀକ୍ଷକ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ସଂଘଠିତ ରାସାୟନିକ ବିପ୍ଳବ ‘କେମିକାଲ ରେଭୁଲେସନ’ ସହ ତୁଳନା କରିଥାନ୍ତି । ବିଂଶ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ରାସାୟନିକ ବୈଷୟିକ କୌଶଳ ପ୍ରୟୋଗରେ କୃଷିଠାରୁ ଆରମ୍ଭକରି ବସ୍ତ୍ର, ଆସବାବପତ୍ର ଓ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ପ୍ରସ୍ତୁତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଥିଲା ।


 

ଉଦାହରଣରେ ପାରମ୍ପରିକ କପା ବଦଳରେ ନାଇଲନ ଓ ପଲିଷ୍ଟାର ବ୍ୟବହାର ଫଳରେ ଯାନ୍ତ୍ରିକ ବୟନ ଶିଳ୍ପରେ ନେତୃତ୍ୱ ନେଇଥିବା ମୁମ୍ୱାଇର ଟେକ୍ସଟାଇଲ ମିଲଗୁଡ଼ିକ ବନ୍ଦ ହୋଇଗଲା । ଏତଦ୍ୱାରା ଉଭୟ କପା ଚାଷୀ ଏବଂ ବୟନ ଶିଳ୍ପରେ ନିୟୋଜିତ ଶ୍ରମିକଗଣ ବୃତ୍ତି ଓ ଆୟ ହରାଇଥିଲେ । ତତ୍କାଳୀନ ଗଣମାଧ୍ୟମରେ ପ୍ରଭୁତ୍ୱ ବିସ୍ତାର କରିଥିବା ମୁଦ୍ରିତ ସମ୍ୱାଦପତ୍ର ଓ ପତ୍ରପତ୍ରିକା ନିମନ୍ତେ ବୟନ ଶିଳ୍ପ ଏକ ପ୍ରମୁଖ ବିଜ୍ଞାପକ ଥିବା ସ୍ଥଳେ ବୟନଶିଳ୍ପରେ ବିଘଟନ ହେତୁ ବିଜ୍ଞାପନ ବ୍ୟୟ କମିଯିବା ଫଳରେ ଗଣମାଧ୍ୟମ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଥିଲା ।


 

ରାସାୟନିକ ବିପ୍ଳବରେ କୃଷିକାର୍ଯ୍ୟରେ ବ୍ୟାପକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କୃଷି ଉତ୍ପାଦନ ବଢ଼ାଇ କ୍ଷୁଧା ମୁକ୍ତିରେ ପ୍ରମୁଖ ଭୂମିକା ବହନ କରିଥିଲା । ପ୍ଳାଷ୍ଟିକ ବ୍ୟବହାର କାଠ, କାଚ଼ ଓ ବିଭିନ୍ନ ଧାତୁର ଚାହିଦାକୁ କମାଇଥିବା ସ୍ଥଳେ ସାମଗ୍ରୀଗୁଡ଼ିକର ଉତ୍ପାଦନ ଓ ବିକ୍ରୀଦର ମଧ୍ୟ ଆଶାତୀତ ହ୍ରାସ ଘଟିଥିଲା । ଫଳରେ ବହୁ ସାମଗ୍ରୀ ସାଧାରଣ ଲୋକଙ୍କ କ୍ରୟଶକ୍ତି ମଧ୍ୟରେ ଆସିବା ଫଳରେ ବିକ୍ରୀ ଓ ବ୍ୟବହାର ବୃଦ୍ଧି ପାଇଥିଲା ।


 

ପ୍ରମୁଖ ଇଣ୍ଟରନେଟ ଉଦ୍ୟୋଗୀ ଅଜିତ ବାଳକ୍ରିଷ୍ଣନ ମାର୍ଚ୍ଚ ୨୦୨୧ରେ ପ୍ରକାଶିତ ଏକ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି ଯେ ରାସାୟନିକ ବିପ୍ଳବ ପ୍ରଭାବରେ ମୁମ୍ୱାଇର ଟେକ୍ସଟାଇଲ ଶିଳ୍ପ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଥିଲା ପଚାଶ ବର୍ଷପରେ ଇଣ୍ଟରନେଟର ପ୍ରସାର ଫଳରେ ପାରମ୍ପରିକ ଗଣମାଧ୍ୟମ ଶିଳ୍ପ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଜନସାଧାରଣ କପା ବସ୍ତ୍ର ବଦଳରେ ନାଇଲନ, ପଲିଷ୍ଟାର ବସ୍ତ୍ର ପ୍ରତି ଆକର୍ଶିତ ହେବା ଏବଂ ନୂତନ ଉତ୍ପାଦ ବ୍ୟବହାରଯୋଗ୍ୟ, ଶସ୍ତା ଓ ସୁଲଭ ହୋଇଥିବା ହେତୁ ବସ୍ତ୍ର ବ୍ୟବସାୟରେ ବ୍ୟାପକ ପରିବର୍ତ୍ତନ ସୂତ୍ରପାତ ହୋଇଥିଲା । ଗଣମାଧ୍ୟମରେ ଡ଼ିଜିଟାଲ ମଞ୍ଚର ବିକାଶ ପାରମ୍ପରିକ ମଞ୍ଚଗୁଡ଼ିକ କ୍ଷେତ୍ରରେ ତଦ୍ ଅନୁରୂପ ପରିସ୍ଥିତି ସୃଷ୍ଟି କରିଛି ।


 

ଖ୍ୟାତନାମା ବ୍ୟବସାୟ ପରିଚାଳନା ଗବେଷଣା ସଂସ୍ଥା ‘ମ୍ୟାକ-କିନସେ’ର ଅନୁଶୀଳନ ଉଦ୍ଧାର କରି ବାଳକ୍ରିଷ୍ଣନ ଦର୍ଶାଇଛନ୍ତି ଯେ ଗଣମାଧ୍ୟମ ପରିଧିରେ ଇଣ୍ଟରନେଟର ଅଧିପତ୍ୟ ତିନିଗୋଟି ମୁଖ୍ୟ ପ୍ରବାହର ସୂତ୍ରଧର ସାଜିଛି । ପ୍ରଥମତଃ, ଡିଜିଟାଲାଇଜେସନ ଯୋଗୁଁ ସମ୍ୱାଦପତ୍ର ଓ ପତ୍ରପତ୍ରିକାରେ କାଗଜ ତଥା ଚଳଚ଼ିତ୍ରରେ ଫିଲ୍ମର ବ୍ୟବହାର କମି ଚାଲିଛି । ନିକଟ ଭବିଷ୍ୟତରେ ଏହି ପ୍ରବାହ ପାରମ୍ପରିକ ଗଣମାଧ୍ୟମଗୁଡ଼ିକର ‘ଡିଜିଟାଲ-ଫାଷ୍ଟ’ ନୀତି ଯୋଗୁଁ ବଢ଼ିବ ।


 

ଦ୍ୱିତୀୟତଃ, ସମ୍ୱାଦପତ୍ରର ବର୍ଗୀକୃତ ବିଜ୍ଞାପନ ‘କ୍ଳାସିଫାଇଡ଼ ଏଡ଼ଭାଟାଇଜମେଣ୍ଟ’ ନିୟମିତ ଆୟର ଉତ୍ସଥିବା ସ୍ଥଳେ ସେଗୁଡ଼ିକ ଡିଜିଟାଲ ମଞ୍ଚକୁ ଅପସାରିତ ହୋଇ ବିବାହ, ନିଯୁକ୍ତି ଇତ୍ୟାଦି କ୍ଷେତ୍ରରେ ସମ୍ୱାଦ ଆଦାନପ୍ରଦାନର ସ୍ୱତନ୍ତ୍ର ବ୍ୟବସାୟରେ ପରିଣତ ହୋଇଛି । ନିକଟ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଭଳି ବୈଷୟିକ କୌଶଳ ଉପଯୋଗରେ ସେହି ମଞ୍ଚଗୁଡ଼ିକ ଅଧିକ ବ୍ୟବହାରଯୋଗ୍ୟ ପ୍ରମାଣିତ ହେବ ।


 

ତୃତୀୟତଃ, ସମ୍ୱାଦପତ୍ର ଓ ଟେଲିଭିଜନ ସେବା ବିତରଣ ଏକାଧିକ ମଧ୍ୟସ୍ଥିଙ୍କ ଦ୍ୱାରା ସମାହିତ ହେଉଥିବା ଏବଂ ଏଥି ନିମନ୍ତେ ଅର୍ଥବ୍ୟୟ ହେଉଥିବା ସ୍ଥଳେ ଡ଼ିଜିଟାଲ ମଞ୍ଚରେ ଉତ୍ସରୁ ଉପଭୋକ୍ତାଙ୍କ ଯାଏଁ ସିଧାସଳଖ ପ୍ରସାରଣର ସୁବିଧା ଉପଲବ୍ଧ । ଏହି ସୁଯୋଗ ଗଣମାଧ୍ୟମ ମଞ୍ଚଗୁଡ଼ିକୁ ଉତ୍ପାଦନ ଓ ବିତରଣ ବାବଦରେ ଖର୍ଚ୍ଚ କମାଇ ସୃଜନ ‘କଣ୍ଟେଣ୍ଟ’ କ୍ଷେତ୍ରରେ ଅଧିକ ବିନିଯୋଗ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ କରିବ । ଫଳରେ ଗଣମାଧ୍ୟମ ଉତ୍ପାଦଗୁଡ଼ିକର ଗୁଣାତ୍ମକ ବିକାଶ ସମ୍ଭବ ଆଶା କରାଯାଇପାରେ ।


 

ଅନ୍ୟତମ ଖ୍ୟାତନାମା ଲେଖକ ଓ ନିବେଶକ ରୁଚିର ଶର୍ମ୍ମା  ଏପ୍ରିଲ ୨୦୨୧ରେ ପ୍ରକାଶିତ ଏକ ପ୍ରବନ୍ଧରେ ସୂଚାଇଛନ୍ତି ଯେ ଅତ୍ୟନ୍ତ ଉନ୍ନତ କମ୍ପ୍ୟୁଟିଂ କ୍ଷମତା ସମ୍ପନ୍ନ ସୁପର କମ୍ପ୍ୟୁଟରସ୍ତରୀୟ ମୋବାଇଲ ଫୋନ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭ ସୁଦ୍ଧା ବିଶ୍ୱବ୍ୟାପୀ ଅର୍ଦ୍ଧେକ ଜନସଂଖ୍ୟା ପ୍ରାୟ ଚାରି ଶହ କୋଟି ଉପଭୋକ୍ତାଙ୍କ ହାତପାଆନ୍ତାରେ ପହଞ୍ଚି ପାରିଛି । ଏହି ପରିବେଶ ବିକଶିତ ତୁଳନାରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଜନଜୀବନରେ ଅଧିକ ପ୍ରଭାବଶାଳୀ ହେଉଥିବା ଦେଖିବାକୁ ମିଳୁଛି । ଯେଉଁ ଅନୁନ୍ନତ ଅଞ୍ଚଳଗୁଡ଼ିକରେ ବିଦ୍ୟାଳୟ, ହସପିଟାଲ ଓ ବ୍ୟାଙ୍କ ନାହିଁ ସେଠାରେ ମୋବାଇଲ ଫୋନ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ କାରବାରର ତତ୍ କ୍ଷଣାତ ସୁଯୋଗ ସୃଷ୍ଟି କରିପାରୁଛି । ଫଳରେ ଜନସାଧାରଣ ଇଣ୍ଟରନେଟ ସେବା ପ୍ରତି ଆକର୍ଷିତ ହେବା ସ୍ୱାଭାବିକ ।


 

ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ଗଣତିରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶିତ ହୋଇଥାଏ । ଭାରତ ସରକାରଙ୍କ ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟ ସୂତ୍ରରୁ ମାର୍ଚ୍ଚ ୨୦୨୧ରେ ସଂଗୃହୀତ ତଥ୍ୟ ଅନୁଯାୟୀ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୫୬ କୋଟି ହିସାବ କରାଯାଉଥିବା ସ୍ଥଳେ ବେସରକାରୀ ଇଣ୍ଟରନେଟ ଗବେଷଣା ସଂସ୍ଥା ‘କାମସ୍କୋର’ର ଡ଼ିସେମ୍ୱର ୨୦୨୦ ତଥ୍ୟ ୬୬ କୋଟି ୨୦ ଲକ୍ଷ ସୂଚ଼ିତ କରିଥାଏ । ବ୍ୟାପକ ସ୍ମାର୍ଟଫୋନ ବ୍ୟବହାର ଓ ଇଣ୍ଟରନେଟ ସଂଯୁକ୍ତି ଦେଶରେ ଅନଲାଇନ ଗଣମାଧ୍ୟମ ମଞ୍ଚଗୁଡ଼ିକ ନିମନ୍ତେ ଉର୍ବର ପରିବେଶ ସୃଷ୍ଟି କରିଛି । ‘କାମସ୍କୋର’ ହିସାବରେ ଡିଜିଟାଲ ମଞ୍ଚରେ ଡ଼ିସେମ୍ୱର ୨୦୨୦ ସୁଦ୍ଧା ଦେଶରେ ୪୫ କୋଟି ୪୦ ଲକ୍ଷ ଉପଭୋକ୍ତା ସମ୍ୱାଦ ଆହରଣ କରିଥାନ୍ତି ଏବଂ ଅକ୍ଟୋବର ୨୦୨୦ ସୁଦ୍ଧା ୩୯ କୋଟି ୨୦ ଲକ୍ଷ ଉପଭୋକ୍ତା ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତି । ଏହି ତଥ୍ୟାବଳୀରୁ ସମ୍ୱାଦ ମଞ୍ଚରେ ବ୍ୟାପକ ପରିବର୍ତ୍ତନର ଆଭାସ ମିଳିଥାଏ ।


 

ଇଣ୍ଟରନେଟ ବିସ୍ତୃତି ସୋସିଆଲ ମିଡ଼ିଆ ବ୍ୟବହାରରେ ପର୍ଯ୍ୟବସିତ । ଭାରତରେ ‘ହ୍ୱାଟସଆପ’ରେ ୫୩ କୋଟି, ‘ୟୁଟ୍ୟୁବ’ରେ ୪୪ କୋଟି ୮୦ ଲକ୍ଷ, ‘ଫେସବୁକ’ରେ ୪୧ କୋଟି, ‘ଇନଷ୍ଟାଗ୍ରାମ’ରେ ୨୧ କୋଟି ଓ ‘ଟୁଇଟର’ରେ ଏକ କୋଟି ୫୦ ଲକ୍ଷ ଉପଭୋକ୍ତା ସାମିଲ ହୋଇଥିବା ସରକାରୀ ସୂତ୍ରରୁ ସୂଚ଼ିତ । ଏହି ସବୁ ଆପ୍ଲିକେସନଗୁଡ଼ିକ ମୁଖ୍ୟତଃ ମୋବାଇଲ ଫୋନରେ ବ୍ୟବହୃତ ଏବଂ ସମ୍ୱାଦ ସରବରାହ ନିମନ୍ତେ ଉଦ୍ଦିଷ୍ଟ ।


 

ପାରମ୍ପରିକଭାବେ ଆନ୍ତର୍ଜାତିକ, ଜାତୀୟ ଓ ରାଜ୍ୟସ୍ତରୀୟରୁ ସମ୍ୱାଦପତ୍ର ଓ ଟେଲିଭିଜନ ଆଞ୍ଚଳିକ ବା ଜିଲ୍ଲାସ୍ତରକୁ ସମ୍ୱାଦ ପରିବେଷଣଲାଗି ଓହ୍ଲାଇଥିବା ବେଳେ ସୋସିଆଲ ମିଡ଼ିଆ ନିଜ ପରିବାରବର୍ଗ, ବନ୍ଧୁ ପରିଜନ, ପୂର୍ବ-ପରିଚିତ ତଥା ନିଜେ ବିଶ୍ୱାସ କରୁଥିବା ରାଜନୀତିକ, ସାମାଜିକ ଓ ଧାର୍ମିକ ମତାବଲମ୍ୱୀମାନଙ୍କ ଖବର-ଅନ୍ତର ଏବଂ ପରସ୍ପର ବାର୍ତ୍ତା-ବିନିମୟ ନିମନ୍ତେ ସୁଯୋଗ ଆଣିଦେଇଛି । ଫଳତଃ ସାଧାରଣ ଉପଭୋକ୍ତା କ୍ରମଶଃ ନିଜ ବ୍ୟକ୍ତିଗତ ପରିଧିରେ ସମ୍ୱାଦ ସରବରାହ ପ୍ରତି ଅଧିକ ଧ୍ୟାନ ଦେଇ ପାରମ୍ପରିକ ଗଣମାଧ୍ୟମ ମଞ୍ଚରୁ କେବଳ ପ୍ରଭାବଶାଳୀ ସମ୍ୱାଦପ୍ରତି ଆଗ୍ରହ ପ୍ରକାଶ କରୁଛି । ଏହି ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସମ୍ୱାଦ ପ୍ରଯୋଜନାର ଆଭିମୁଖ୍ୟ ବଦଳାଇବା ଅପରିହାର୍ଯ୍ୟ ହୋଇପଡ଼ିଛି ।


 

ସାଧାରଣ ଜନଜୀବନରେ ଇଣ୍ଟରନେଟର ଅଧିପତ୍ୟ ଗଣମାଧ୍ୟମରେ ପ୍ରଥମେ ଅନୁଭୂତ ହୋଇଥିଲା । ଦୁଇରୁ ତିନ ଦଶନ୍ଧି ମଧ୍ୟରେ ତାହା ଶକ୍ତିଶାଳୀ ହେବାରେ ଲାଗିଛି । ସମ୍ୱାଦ କର୍ମ୍ମୀଗଣ ଡ଼ିଜିଟାଲ ମଞ୍ଚ ସହ ପରିଚିତ ଥିବା ସ୍ଥଳେ ନୂତନ ପରିବେଶରେ କିପରି ଦକ୍ଷତା ପ୍ରଦର୍ଶନ କରିପାରିବେ ତାହା ସମୟର ଆହ୍ୱାନ ।                        


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୨୩ ଏପ୍ରିଲ ୨୦୨୧


ତଥ୍ୟ:

 


Balakrishn, Ajit. Managing internet tech change wisely. Business Standard (Bhubaneswar Edition). March 15, 2020.


 

Sharma, Ruchir. End of the Digital Divide. Times of India  (Bhubaneswar Edition). April 14, 2021.


 

Kohli-Khandekar, Vanita. Unfrinding big tech. Business Standard  (Bhubaneswar Edition). February 24, 2021.


 

Krishna, Geetanjali. Surveillance fears over rules to tame social media . Business Standard  (Bhubaneswar Edition). March 10, 2021.